Unknown

ଋଷି-ରାଜ୍ୟ

ଚିନ୍ତାମଣି ମହାନ୍ତି

 

ଦେଖିଲି ମୁଁ ଏ କି

ଦୃଶ୍ୟ ଅପରୂପ,

ସ୍ୱପନ କି ଏହା

ସତ୍ୟର ସ୍ୱରୂପ ।

ବିସ୍ତୃତ ଅଗ୍ରତେ

କେବଣ ପ୍ରଦେଶ,

କେଉଁ ଋଷିରାଜ୍ୟେ

କଲି ମୁଁ ପ୍ରବେଶ !

 

ଆକୃତିରେ ସାନ

ରାଜ୍ୟ ଲାଞ୍ଜିଗଡ଼ ।

ମାତ୍ର ବିଶେଷତ୍ୱେ

ବଡ଼ଠାରୁ ବଡ଼ ।

କୋହିନୁର କିଣି

ହେଉପଛେ ସାନ,

ମାତ୍ର ଜ୍ୟୋତିରେ

କେ ହେବ ତା’ ସମାନ ?

 

ସୂର୍ଯ୍ୟମୁଖୀ ବଡ଼

ହେଉ ପଛେ ଅତି

ବଳିଯାଏ ତାକୁ

ସୌରଭେ ସେବତୀ ।

ଦୁରୁଁ ଦିଶେ ଯଥା

ରମ୍ୟ ତପୋବନ,

ସୁନ୍ଦର ଯେସନ

ପବିତ୍ର ତେସନ ।

 

ରାଜ୍ୟଶିରେ ଶୋଭେ

ମାରାଗ ମହୁଡ଼-

ପରାୟେ ‘ନିୟାମ-ଗିରି’

ତୁଙ୍ଗ ଚୂଡ଼ ।

ଶ୍ୟାମକାନ୍ତି ତାର

କି ସୁନ୍ଦର ଦିଶେ,

ରାଜ୍ୟ-ସୁଷମାର

ମାନଦଣ୍ଡ କି ସେ !

 

ସମାଧି ଯୋଗରେ

ଆଜୀବନ ଖଟି,

ଯାଇଛି କି ଯୋଗୀ

ପ୍ରସ୍ତର ପାଲଟି ?

ହେଲେ ହେଁ ନିୟାମ

ଗିରିକୁଳେ ରାଜା,

ମାତ୍ର ଏ ରାଜ୍ୟର

କରଦାତା ପ୍ରଜା ।

 

ପଦ ତତେ ସ୍ଥିତ

ପକ୍ୱାଣ କୁଟୀର,

ଋଷ୍ୟାଶ୍ରମ ପ୍ରାୟ

ଦିଶେ ସୁରୁଚିର ।

ନାହିଁ ବେଶଭୂଷା

ନାହିଁ ପରିପାଟୀ,

ଉପାଦାନ ତାର

ପତ୍ର ଝାଟିମାଟି ।

 

ନିବସନ୍ତି ତହିଁ

ନିଷାଦ କିରାତ,

ଗିରି ତାଙ୍କ ମାତ

ଗିରି ତାଙ୍କ ତାତ ।

ବହନ୍ତି ଶରୀରେ

ଅମାନୁଷୀ ବଳ,

ଚରିତ୍ର ତାଙ୍କର

ମଧୁର ନିର୍ମଳ ।

 

ବନୁଁ ମୃଗ ମାରି

ପୋଷନ୍ତି ଉଦର,

ନ ପଶନ୍ତି ପାଖ

କୁଟ କପଟର ।

ହେଉନ୍ତୁ ପଛକେ

ନୀଚ ଅଶିକ୍ଷିତ,

ମାତ୍ର ପାଠୁଆଙ୍କ

ଗୁରୁ ସେ ନିଶ୍ଚିତ ।

 

ଧାରନ୍ତି ନାହିଁ ସେ

ସଭ୍ୟତାର ଧାର,

ସଭ୍ୟତାକୁ ଦୂରୁ

କରନ୍ତି ଜୁହାର ।

ଭିତରେ କୋମଳ

ବାହାରେ ପାଷାଣ ।

ଭିନ୍ନ ଉପାଦାନେ

ଗଢ଼ା ତାଙ୍କ ପ୍ରାଣ ।

 

ଗିରି ସହବାସେ

ବଂଶପରମ୍ପରା,

ଶିଖିଛନ୍ତି ଏହି

ଗିରିଗୁଣ ପରା ।

ପାଳନ୍ତି ଜୀବନେ

ସତ୍ୟ ଉପାସନା,

ଡରେ ତାଙ୍କୁ ତେଣୁ

ମିଥ୍ୟା ପ୍ରବଞ୍ଚନା ।

 

ଅଳ୍ପରେ ସନ୍ତୁଷ୍ଟ

ଅଧିକେ ସନ୍ତୁଷ୍ଟ,

ସନ୍ତୋଷରେ ତାଙ୍କ

ଚିତ୍ତ ସଦା ହୃଷ୍ଟ

ଭୁଞ୍ଜନ୍ତି ଯେ ସୁଖ

ଅଶିକ୍ଷିତ ପ୍ରାଣେ,

ବଞ୍ଚିତ ସେ ସୁଖୁଁ

ସୁଶିକ୍ଷିତମାନେ ।

 

ମହତ୍ତ୍ୱ କି ଏକା

ମହାଜନ ଧରେ,

ଥାଏ ବି ମହତ୍ତ୍ୱ

ଇତର ପ୍ରାଣରେ ।

ହୀରାଖଣ୍ଡେ ଏକା

ସୁଲଭ କି ଜ୍ୟୋତି,

ନୀଚ ଶୂକ୍ତିକା ବି

ଗର୍ଭେ ଧରେ ମୋତି ।

 

ନିହିତ କି ମଧୁ

କେବଳ ପ୍ରସୂନେ

ନ ଥାଏ କି ତାହା

ଇଷ୍ଟ କ୍ଷୁଦ୍ର ତୃଣେ ।

ପୁଷ୍କର କି ଏକା

ସମ୍ପଦ-ସୁବାସ,

କରେ ସୁଦ୍ଧା ତାହା

ବେଣାଚେରେ ବାସ ।

 

ବହନ୍ତି ପଣ୍ଡିତେ

ଶିକ୍ଷା-ଅଭିମାନ,

ମାତ୍ର ମୂର୍ଖଠାରୁ

ବହୁଗୁଣେ ସାନ ।

କେଉଁ କାଳେ ଶିକ୍ଷା

ନ ଲଭେ ପୂର୍ଣ୍ଣତା,

ଶିକ୍ଷା-ଅଭିମାନ

ବିଫଳ ସର୍ବଥା ।

 

ପଣ୍ଡିତର ବୁଦ୍ଧି

ହୁଏ ଯହିଁ ବଣା,

ବର୍ଣ୍ଣଜ୍ଞାନଶୂନ୍ୟ

ମୁର୍ଖେ ତାହା ଜଣା ।

ମୂଖ ବୋଲି ଆନେ

ପ୍ରକାଶେ ଯେ ଘୃଣା

ପଣ୍ଡିତ ନୁହେ ସେ

ମୂର୍ଖଠାରୁ ଉଣା ।

 

ମହଦାନଶୀଳ

ତୁହି ରେ ନିୟାମ,

ରତ ଦାନେ ଦିବା-

ନିଶି ଅଷ୍ଟଯାମ ।

ଚିର କର୍ମଯୋଗୀ

ଧର୍ମ ତୋର କର୍ମ,

ପାଳୁଅଛି ସଦା

ସନାତନ ଧର୍ମ ।

 

ଧର୍ମ-କଷଟିରେ

ଜୀବନ ମହତ୍ତ୍ୱ,

ହୁଏ ପରୀକ୍ଷିତ,

ଜାଣୁ ତୁ ଏ ତତ୍ତ୍ୱ ।

କୋଟିପୋଷୀ ତୁହି

ଯଥା ନାରାୟଣ,

କୋଟି କୋଟି ପ୍ରାଣୀ

କରୁ ତୁ ପୋଷଣ ।

 

ଦାନ ତୋର ଧର୍ମ,

ଦାନ ତୋର ବ୍ରତ,

ଅଯାଚିତ ଦାନ

ଅର୍ପୁ ତୁ ସତତ ।

କଠୋର ତୁ ଯଥା

ନାରିକେଳ ଫଳ,

ମାତ୍ର ଅଭ୍ୟନ୍ତର

ସରସ କୋମଳ ।

 

ବୁଝୁ ତୁ ମହତ୍ତ୍ୱ

ନିଃସ୍ୱାର୍ଥ ଦାନର,

ସେ ଦାନର ତୁହି

ତୋତେ ପଟାନ୍ତର ।

ଦାନେ ଏକା ଧନ୍ୟ

ହୁଏ ସିନା ଧନ,

ଦାନ ପାଇଁ ଜଳ

ସଞ୍ଚିରଖେ ଘନ ।

 

ଧନୀ ଆଖ୍ୟାଧାରୀ

କୃପଣ ମାନବ,

ବୁଝେ ନାହିଁ ଏହି

ସୁନୀତି ଦୁର୍ଲଭ ।

ଜଗି ଜଗି ଦିନେ

ଯାଏ ଭବୁଁ ଚାଲି,

ଧନିକ ନୁହେଁ ସେ

ଧନ-ଜଗୁଆଳି ।

 

କଟୁବଦ୍ଧ ଧନ

ଭଣ୍ଡାର ଯାହାର,

ଧନ ନୁହେ ତାହା

ଶ୍ମଶାନ ଅଙ୍ଗାର ।

ପୋତି ରଖେ ଧନ

ଭୂଗର୍ଭ ଭଣ୍ଡାରେ,

ନ ଲାଗେ ସ ଧନ

କାହା ଉପକାରେ ।

 

ଆବର ଧନିକ

ଅଛନ୍ତି ପ୍ରକାରେ,

ଉଡ଼ାନ୍ତି ସେ ଧନ

ଅପବ୍ୟବହାରେ ।

ଲକ୍ଷ ଲକ୍ଷ ଯାଏ

ମଉଜରେ ଉଡ଼ି,

ନ ଦିଅନ୍ତି ଦେଶେ

କଡ଼ାଏ କଉଡ଼ି ।

 

ପରସ୍ୱ ହରଣେ

ଅବିଦ୍ୟା ପୂଜାରେ,

କରନ୍ତି ସେ ବ୍ୟୟ

ହଜାରେ ହଜାରେ ।

ସ୍ୱଦେଶର ସାଧୁ

ଅନୁଷ୍ଠାନ ପାଇଁ,

ଟୋପାଏ ହେଲେ ବି

ଲସି ଫଟେ ନାହିଁ

 

ଥାଉ ସେ ଅଲକ୍ଷ୍ମୀ

ଭୃତ୍ୟଙ୍କର କଥା,

ଗାଇବା ସେ ଗୀତ

ବିଫଳ ସର୍ବଥା ।

ହେବ ସିନା ତହିଁ

ଶ୍ରୋତାର ଶ୍ରବଣ,

ଅପବିତ୍ର ବକ୍ତା

ତୁଣ୍ଡ ଅକାରଣ ।

 

ଦେବ-ଚରିତ୍ର ତୁ

ଯୋଗୀ ସାନୁମାନ

ଶୁଣି ତା ଲଜ୍ଜାରେ

ହେବୁ ମ୍ରିୟମାଣ ।

ବଞ୍ଚନ୍ତି ତୋ ଧନେ

ଆଶ୍ରିତ ସକଳ,

ତୋର ପରି କିଏ

ଆଶ୍ରିତ ବତ୍ସଳ ?

 

ସେ ଦୟା ଅଛି ତୋ

ଶିଳା      ଦେହେ ଆହା

ରକ୍ତମାଂସ ଦେହେ ନାହିଁ

ହାୟ ତାହା !

ଯଥାତୁ ମହତ

ତଥା ତୁ ଉଦାର

ସମାନ ତୋ ନେତ୍ରେ

ପର ଆପଣାର ।

 

ଅକଳିତ ତୋର

ସୌନ୍ଦର୍ଯ୍ୟ-ବିଭବ

ନିତ୍ୟ ନୂତନତ୍ୱ

ତୋଠାରେ ସମ୍ଭବ

ସୌନ୍ଦର୍ଯ୍ୟ ତୋହର

ହୁଏ ନାହିଁ ଫିକା,

ସୌନ୍ଦର୍ଯ୍ୟ କାବ୍ୟେ

ସେ ଆଶୁବୋଧ୍ୟ ଟୀକା ।

 

ବିଚିତ୍ରତା ଯେଉଁ

ଶୋଭାର ଜୀବନ

ନ ହୁଏ ତା ଦେଖି

ନେତ୍ର ଅବସନ୍ନ ।

ତୋ ଶୋଭା-ମଦିରା

ପାନେ କବିକୁଳ,

ବର୍ଜ୍ଜନେ ତୋ ଅଙ୍କ

ହୁଅନ୍ତି ଆକୁଳ ।

 

ତୋ ମହିମା ଏକା

ବୁଝେ ଅନୁଭବୀ,

ଧରୁ ତୁ ଶରୀରେ

ନୈଶାକାଶ ଛବି ।

ଲତା ପାଦପରେ

ସୃଜିଅଛୁ କୁଞ୍ଜ,

ତାରା ପ୍ରାୟେ ତହିଁ

ଶୋଭେ ପୁଷ୍ପପୁଞ୍ଜ ।

 

ବହୁ ଶତ ଭିକ୍ଷା

ତୋ ବକ୍ଷରେ ଉଦେ,

ଅସଂଖ୍ୟ କୃତ୍ତିକା

ହସୁଥାନ୍ତି ମୃଦେ ।

କାହିଁ ବା ଉଦିତ

ନକ୍ଷତ୍ର ଶ୍ରବଣା,

ଜ୍ୟୋତିର୍ବିତ୍‌କୁଳ

ବୁଦ୍ଧି ହୁଏ ବଣା ।

 

ଦାବାନକ ରେଖା

ଧୂମକେତୁ ପ୍ରାୟେ,

ନୀଳ ବକ୍ଷେ ତୋର

ଜ୍ୱଳେ ଠାଏଁଠାଏଁ

ଦର୍ଶକ ନୟନେ

ଦୂରୁ ଯାଏ ଦେଖା,

ନିକଷ ଖଣ୍ଡେ କି

ଅଙ୍କା ସ୍ୱର୍ଣ୍ଣରେଖା ।

 

ଦିଶେ ଚଳଘନ

ଧୂମ୍ର ରେଖାବତ

ଶାରଦ ଆକାଶେ

କି ସେ ଛାୟାପଥ ।

ବହୁରୂପୀ ପ୍ରାୟ

ତୁହି ସାନୁମାନ

କ୍ଷଣେ କ୍ଷଣେ ଧରୁ

ମୂର୍ତ୍ତି ଆନ ଆନ ।

 

ବହୁ ବହୁଚୂଡ଼ା

ସ୍ଥୁଳ ଉଚ୍ଚତମ

ଦିଶନ୍ତି ଭୀଷଣ

କପିବର ସମ,

ପ୍ରତେ ହୁଏ ଘେନି

ପ୍ରବୀଣ ସଚିବ,

ଋଷ୍ୟମୁକ ଶିରେ

ବିଜେ କି ସୁଗ୍ରୀବ ।

 

ସର୍ବୋଚ୍ଚ ଶିଖର

ତୋର ସାନୁମାନ,

ଦିଶେ ଯଥା ଉଭା

ବୀର ହନୁମାନ ।

ଲଙ୍ଘିବାକୁ ସିନ୍ଧୁ

ମନାସି ଅନ୍ତରେ,

ହୋଇଛି କି ଛିଡ଼ା

ଦକ୍ଷିଣ ମୁଖରେ ।

 

ନିରେଖି ଏ ଦୃଶ୍ୟ

ମନେ ଭାବେ କବି,

ବହିଛୁ କି ଦେହେ

ରାମାୟଣ ଛବି ।

ମନେହୁଏ ହେରି

ତୋ ଚାରୁ ସୁଷମା,

ବହୁ ଚିତ୍ରକୂଟ

ଗିରିର ଉପମା ।

 

ଶୃଙ୍ଗବେରପୁର

ତୋର ବନ୍ଧ ଗ୍ରାମ,

କରୁଅଛି ପୂର୍ଣ୍ଣ

ଉପମାର ସାମ୍ୟ

କବି ଯୋଗୀ ପ୍ରାୟ

ତୁହି ଗିରିବର

ଚିନ୍ତା-ମହାରାଜ୍ୟେ

ଭ୍ରମୁ ନିରନ୍ତର ।

 

ଗୃହାମୁଖେ ସଦା

ରଚୁ କି କବିତା

ଅଥବା ନିର୍ବାଣ-

ମୁକ୍ତିତତ୍ତ୍ୱ ଗୀତା

ବୁଝୁ ତୁହି ତୋର

ପାର୍ବତୀୟ ଭାଷା ।

ଅନ୍ୟ ପକ୍ଷେ ତାହା

ବିଫଳ ପ୍ରତ୍ୟାଶା ।

 

ହେଉପଛେ କାହା

ମଧୁଶୂନ୍ୟ ସିଠା,

ତୋର ମାତୃଭାଷା

ତୋ କାନକୁ ମିଠା

ଧନ୍ୟ କବି ତୋର

ମାତୃଭାଷା-ପ୍ରୀତି,

କବି ପକ୍ଷେ ତାହା

ସୁନ୍ଦର ସୁରୀତି

 

ଗିରିରାଜା କିନ୍ତୁ

କରୁ ଋଷିକାର୍ଯ୍ୟ,

ଋଷିରାଜ୍ୟ ତୋର

ଅଧିଷ୍ଠିତ ରାଜ୍ୟ ।

ଋଷିପ୍ରାଣ ତୋର

ହେ ମୌନ-ପଣ୍ଡିତ

ହୋଇଅଛି ଦେବ      -

ଭାବେ ପ୍ରଭାବିତ ।

 

ସ୍ୱର୍ଗୀୟ ବିଭୂତି

ଚାରୁ ଦୃଶ୍ୟଚୟ

ଆଣି ଦେଖାଉଛୁ

ମର୍ତ୍ତ୍ୟେ ଅଭିନୟ ।

ବୈକୁଣ୍ଠ ଭୂଷଣ

ଶତଶୃଙ୍ଗ ଗିରି

ଛଡ଼ାଇ ଆଣିଛୁ

ତୁ ତାହାର ଶିରୀ ।

 

ବିରୋଜା ତଟିନୀ

ସ୍ୱଚ୍ଛ ପୁତଜଳା,

ଯଥା ଶତଶୃଙ୍ଗ

କଟୀର ମେଖଳା ।

ତୋ କଟୀ ମେଖଳା

ତଥା ବଂଶଧାରା,

ଅମନ୍ଦଗାମିନୀ

ମହାସିନ୍ଧୁ ଦାରା ।

 

ଏକଇ କମଳା

ବିରାଜନ୍ତି ସ୍ମରେ,

ଅନେକ କମଳା

ରାଜେ ତୋ ବକ୍ଷରେ ।

ତ୍ରିଦିବ ଧାମରେ

ଏକ ରମ୍ଭା ସ୍ଥୁତ,

ବହୁ ରମ୍ଭା ବୃକ୍ଷେ

ତୋ ବକ୍ଷ ମଣ୍ଡିତ ।

 

ଗୋଟିଏ ବରୁଣ

ନିବସନ୍ତି ତହିଁ

କୋଟିଏ ବରୁଣ

ଅଛୁ ତୁହି ବହି ।

ଏକ ବହୁନେତ୍ର

ଅଧିପ ତହିଁରେ

ବହୁ ବହୁନେତ୍ର

ବହୁ ତୁ ଶରୀରେ ।

 

ରେ ନିୟାମ ଗିରି-

ଗୌରବ-ଅର୍ଯ୍ୟାମା

ଏ ଭାବେ ବହିଛି

ସ୍ୱର୍ଗର ଉପମା ।

ଇତିହାସ ଗ୍ରନ୍ଥ

ତୁହି ଧରାଧର

ସମ୍ବଳ-ବଳ ତୁ

ଐତିହାସିକର ।

 

ବହୁ ପୁରାତନ

ଘଟଣା ବକ୍ଷରେ

ରଖିଛୁ ତୁ ଲେଖି

ଅଦୃଶ୍ୟ ଅକ୍ଷରେ ।

ଉଚ୍ଚତାରେ ତୁହି

ଜିଣୁ ଗିରିସୃଷ୍ଟି,

ବହୂଦୂର ଯାଏଁ

ଯାଏ ତୋର ଦୃଷ୍ଟି ।

 

ଉତ୍କଳର ତୁହି

ତୁଙ୍ଗ ହିମବନ୍ତ,

ସୁଦୁର ଘଟଣା

ତୋର ଅବଗତ ।

ଦେଖିଛି ଉତ୍କଳ-

ଭାଗ୍ୟ ଅଭ୍ୟୁଦୟ

ଦେଖିଛୁ ତାହାର

ଭାଗ୍ୟ-ବିପର୍ଯ୍ୟୟ

 

ଶ୍ରୀ ପୁରୁଷୋତ୍ତମ

ଉତ୍କଳ-ସମ୍ରାଟ,

କାଞ୍ଚି ଅଭିମୁଖେ

ଚଳାଇଲେ ଥାଟ

ହଳୀ ଜଗନ୍ନାଥ

ବେନି ସହୋଦର,

କଲେ କାଞ୍ଚି ରାଜ୍ୟେ

ବିଷମ ସମର ।

 

ଲାଗିଲାକ ଯୁଦ୍ଧ

ଅଦ୍ଭୁତ ଭୀଷଣ,

କାଞ୍ଚିରାଜା ଭାଗ୍ୟେ

ଘଟିଲା ପତନ ।

ଜୟ-ଶ୍ରୀମଣ୍ଡିତ

ହୋଇ ଛତ୍ରପତି,

ବାହୁଡ଼ିଲେ ଘେନି

ସୈନ୍ୟ ସେନାପତି ।

 

କାଞ୍ଚି-ରାଜଜେମା

ଦେବୀ ପଦ୍ମାବତୀ,

ସମକଛ ତାଙ୍କ

ନହେବ କେଇତି ।

ସମ୍ରାଟ ତାହାଙ୍କୁ

ଗହଣରେ ଆଣି,

ପୁରୀଧାମେ ଆସି

କଲେ ପାଟରାଣୀ ।

 

ଗିରୀନ୍ଦ୍ର ଗୌରବ

ତୁହି ରେ ନିୟାମ

ଦେଖିଅଛୁ ସେହି

ଦୃଶ୍ୟ ଅଭିରାମ ।

ଦେଖିଅଛୁ କେତେ

ଜୟ ପରାଜୟ,

ମତ୍ସରିକୂଳର

କ୍ରୁର ଅଭିନୟ ।

 

ହସିଅଛୁ ଯେତେ,

ଅଛୁ ତେତେ କାନ୍ଦି

ସମ୍ଭାଳିଛୁ ଶୋକ,

ଧୈର୍ଯ୍ୟେ ଚିତ୍ତ ବାନ୍ଧି ।

ଆକ୍ରମିଲା ଦେଶେ

ଦୈତ୍ୟ ରକ୍ତବାହୁ,

ଆକ୍ରମେ ଯେସନେ

ପୂର୍ଣ୍ଣଚନ୍ଦ୍ର ରାହୁ ।

 

ଫେରିଯିବା ବେଳେ

ଚିଲିକା ହ୍ରଦ ଜଳେ,

ପଡ଼ିଲା ଶମନ

କରାଇ କବଳେ ।

ଆସିଥିଲା ଦମ୍ଭେ

ପର ରାଜ୍ୟ ଆଶେ,

ପଡ଼ିଲା ମତ୍ସରୀ

ଆପେ କାଳଗ୍ରାସେ ।

 

ପ୍ରଭୁ ଜଗନ୍ନାଥ

ଦେବଙ୍କର ଶାପେ,

ନାଶ ଗଲା ଦୁଷ୍ଟ

ଆତ୍ମକୃତ ପାପେ ।

ତିର୍ଥପୂତ ମହୀ

ଜଗତେ ଦୁର୍ଜୟ,

କୁକ୍ଷଣରେ ଛୁଇଁ

କଲା ଆୟୁ କ୍ଷୟ ।

 

ଅକାରଣେ ପରେ

ଦଣ୍ଡେ ଯେ ହିଂସ୍ରକ,

ପଡ଼େ ତାହା ଶରେ

ଅକାଳ ଚଡ଼କ ।

ହେରି ତା ଦୁର୍ଗତି

ହାସ୍ୟ-ସୁରସିକା,

ଫେନ ହାସ ଛଳେ

ହସିଲା ଚିଲିକା ।

 

ଅଚଳକୁ ଚାହିଁ

ହସିଲେ ଅଚଳ,

ହସିଲେ ଆବର

ଜଳଜନ୍ତୁଦତ ।

ହସିଲା ସଘନେ

ଉଚ୍ଚେ ମହୋଦଧୀ,

ହସିଲା ଭାର୍ଗବୀ

ସହ ଦୟାନଦୀ ।

 

ଆକାଶ ପାତାଳ

ହୋଇ ମିଶାମିଶି,

ହସିଲେ ସକଳେ

ସପ୍ତ ଦିବାନିଶି ।

ଦୈତ୍ୟ ଅପମୃତ୍ୟୁ

ବାରତା ବହନ,

କହିଥିବେ ଆସି

ତୋତେ ପ୍ରଭଞ୍ଜନ ।

 

ତୋର ଶୃଙ୍ଗାଶ୍ରୟୀ

ବାରିଧରମାନେ,

କହିଥିଲେ ଦେଖି

ଆସି ତୋର କାନେ ।

ସେମାନେ ତୋହର

ଚିର-ବାର୍ତ୍ତାବହ,

ଦୁର ବାର୍ତ୍ତା ଆଣି

ଦିଅନ୍ତି ପ୍ରତ୍ୟହ ।

 

ଉତ୍କଳ-ମାତାର

ଶୁଣି ଦୁଃଖ ମୁକ୍ତି,

ଲଭିଅଛି ତୁହି

ଅପୂର୍ବ ସଂତୃପ୍ତି ।

ପ୍ରାଚୀନ ବୈଦ୍ୟ ତୁ

ଚିହ୍ନୁ ରୋଗ ବ୍ୟାଧି,

ବହୁ ମହୌଷଧି

ରଖିଛୁ ସମ୍ପାଦି ।

 

ଅମର ଔଷଧ

ଅଛି ତୋ ଭଣ୍ଡାରେ

କିମ୍ବଦନ୍ତୀ ତାହା

ସଦର୍ପେ ପ୍ରଚାରେ ।

ଭକ୍ଷିଲେ ଔଷଧି

ତୋ ଭଣ୍ଡାରୁ ଆଣି

ଉଗ୍ର ସର୍ପବିଷ

ହୋଇଯାଏ ପାଣି ।

 

କି ବର୍ଣ୍ଣିବ ଗିରି

ମହତ୍ୱ ତୋହର,

ସେ ମହାମହତ୍ତ୍ୱ

ଦେବେ ଅଗୋଚର ।

ଉତ୍କଳ-ମାତାର

ସୁନ୍ଦର ଲଲାମ,

କବି-କେଳିକୁଞ୍ଜ

ମଞ୍ଜୁଳ ଗଞ୍ଜାମ ।

 

ମିଶିଲାଣି ଆସି

ଏବେ ଏ ଉତ୍କଳେ,

ବହୁକାଳବ୍ୟାପୀ

ତୀବ୍ର ତପଫଳେ ।

ଏ ସୌଭାଗ୍ୟ ଯୋଗ

ପ୍ରତ୍ୟକ୍ଷ ଗୋଚର ।

ଦୁଇ ଆଡ଼େ ତୁହି

ଥିଲୁ ଗିରିରାଜ,

ଏ ପାଖ ଉତ୍କଳ

ସେ ପାଖ ମାନ୍ଦ୍ରାଜ ।

 

ସେ ପାଶେ ତେଲଙ୍ଗା

ଏ ପାଶେ ଓଡ଼ିଆ,

ଦୁଇମୂର୍ତ୍ତି ଧରି

ହୋଇଥିଲୁ ଠିଆ ।

ଏକ ଦେହେ ବହି

ଯୁଗଳ ଆକୃତି

ଧରିଥିଲୁ ତୁହି

ହରିହର ମୂର୍ତ୍ତି ।

 

ସେ ପାଖରେ ଗାରୁ

ଏ ପାଖରେ ବାବୁ,

ବେନି ଉପାଧିରେ

ହୋଇଥିଲୁ କାବୁ ।

ବିଶୁଦ୍ଧ ଓଡ଼ିଆ

ହେଲୁ ପୁଣି ଏବେ,

ହେଲେ ତୋର ପ୍ରତି

ସୁପ୍ରସନ୍ନ ଦେବେ ।

 

ଆସିଲା ଫେରି ତୋ

ଅତୀତ ସୌଭାଗ୍ୟ,

ମଣୁଥିବି ନିଶ୍ଚେ

ଆପଣାକୁ ଶ୍ଳାଘ୍ୟ ।

ଥିଲୁ ତୁ ଓଡ଼ିଆ

ହେଲୁ ରେ ଓଡ଼ିଆ,

ପର ଘରେ ଥିଲୁ

ହୋଇ ତୁ କୁଣିଆ ।

 

ହୃତଧନ ପ୍ରାପ୍ତ

ହେଲୁ ଯା ପ୍ରସାଦେ,

ଅର୍ପ କୃତଜ୍ଞତା

ସେ ପ୍ରଭୁଙ୍କ ପାଦେ ।

ପ୍ରଭୁ ଜଗନ୍ନାଥ

ସାହା ଯେ ଜାତିକୁ,

କେ ରୋଧିବ ସେହି

ଓଡ଼ିଆ ହାତୀକୁ ?

 

ତାଙ୍କର ପ୍ରସାଦେ

ଅବଶିଷ୍ଟ ଅଂଶ,

ଉତ୍କଳ ଦେହରେ

ମିଶିବ ଅବଶ୍ୟ ।

ଅଦୂର ଭବିଷ୍ୟ

ଆସିବ ସେ ଦିନ,

ସେ ସୁଦିନେ ହେବ

ଉତ୍କଳ ସ୍ୱାଧୀନ ।

 

ଉତ୍କଳ-ବେଦନା

ବୁଝିବେ ସମ୍ରାଟ,

ଦିଶିବ ଉଜ୍ଜ୍ୱଳ

ଉତ୍କଟ ଲଲାଟ ।

ଶୁଭ ରଙ୍ଗ ଗିରି

ବଜାଅ ଗମ୍ଭୀରେ,

ହେଉ ଏ ଉତ୍କଳ

ପୂର୍ଣ୍ଣାଙ୍ଗ ଅଚିରେ ।

 

ୠଷି ତୁହି, ଥାଉ

ୠଷିଗଣ ସଙ୍ଗେ,

ଋଷି ସହ ରତ

ବହୁ ସୁପ୍ରସଙ୍ଗେ ।

ଋଷି ଅଭାବରେ

ଏବେ ରୁଷ୍ୟ ସହ

ନିବସ୍ୱ ଆନନ୍ଦେ

ତୁହି ଅହରହ ।

 

ପଶୁରୂପୀ ଋଷି

ସିନା ରୁଷ୍ୟଗଣ,

ଋଷି ପରି ଶିଷ୍ଟ

ତାଙ୍କ ଆଚରଣ ।

ସଦା ଶାନ୍ତିପ୍ରିୟ

ଭ୍ରମେ ସେ କାହାର

ନ କରନ୍ତି କେବେ

କ୍ଷତି ଅପକାର ।

 

ନ ଜାଣନ୍ତି ହିଂସା

ନ ଜାଣନ୍ତି କ୍ରୋଧ,

ସରଳ ପ୍ରକୃତି

ସୁଶୀଳ ସୁବୋଧ ।

ବନ ତୃଣ ପତ୍ର

ଗିରି-ଝରଜଳ,

ଜୀବନେ ତାଙ୍କର

ସମ୍ବଳ କେବଳ ।

 

ସୁନ୍ଦର ଆକୃତି

ସୁନ୍ଦର ଚାହାଣି,

ପଶୁଜାତି ମଧ୍ୟେ

ସେ ନିରୀହ ପ୍ରାଣୀ ।

ତେଣୁ ଚିରପ୍ରିୟ

ସଙ୍ଗୀ ସେ ତୋହର,

ସାଧୁ ସିନା କରେ

ସାଧୁକୁ ଆଦର !

 

ଅତିଥି ସକାଶେ

ମୁକ୍ତ ତୋର ଦ୍ୱାର,

ବହୁ ପକ୍ୱଫଳେ

ପୂର୍ଣ୍ଣ ତୋ ଭଣ୍ଡାର ।

କଦଳୀ, କମଳା,

ପଣସ, ମାକନ୍ଦ

ଝରଜଳ ତୋର

ଛଣା ମକରନ୍ଦ ।

 

ଫଳ ଜଳେ ପୂଜା

କରୁ ତୁ ଅତିଥି,

ଅତିଥିସତ୍କାର

ଲାଗିଥାଏ ନିତି ।

ଚିର-ଉପବାସୀ

ସ୍ୱଭାବେ ତୁ ଗିରି,

କି ଲୋଡ଼ା ତୋହର

ଦ୍ରବ୍ୟସାମଗିରୀ ?

 

ଅତିଥିଙ୍କ ପାଇଁ

ରଖିଥାଉ ସଞ୍ଚି,

ପଡ଼େ ନାହିଁ କେବେ

ତୋ ଭଣ୍ଡାରେ କଞ୍ଚି ।

ପ୍ରକାଶୁ ସକଳେ

ସମାନ ମମତା,

ପସ୍ତର ନୋହୁ ତୁ

ଅଟୁ ରେ ଦେବତା ।

 

କରେ ଯେ ନିଃସ୍ୱାର୍ଥ

ବିଶ୍ୱ-ଉପକାର,

ଦେବ ଆଖ୍ୟା ସିନା

ସାର୍ଥକ ତାହାର ।

ତୋ ଭଳି ମହତ

ଏ ରାଜ୍ୟର ରଜା,

ଉଡ଼ୁଛି ଉତ୍କଳେ

ତାଙ୍କ ଖ୍ୟାତି-ଧ୍ୱଜା ।

 

ଗିରି-ଅଧିରାଜ

କହ କହ ବାରେ,

ସନ୍ଦେହ ମୋହର

ଦୁଇଟି କଥାରେ ।

ବନବାସ କାଳେ

ରଘୁପତି ରାମ,

କରିଥିଲେ କି ରେ

ତୋ ଶିରେ ବିଶ୍ରାମ ?

 

ତୋ ଲାବଣ୍ୟମୂର୍ତ୍ତି

ଦେଖି ହରଷିତା,

ହୋଇଥିଲେ କି ରେ

ରଘୁବଧୂ ସୀତା ?

ମଣି ତୋତେ ଦେବି

ପୁଣ୍ୟ ତୀର୍ଥସ୍ଥାନ,

କରିଥିଲି କି ରେ

ତୋ ନିର୍ଝର ସ୍ଥାନ ?

 

ରଚିଥିଲି କି ରେ

ତୋ ଶିରେ କୁଟୀର,

ଅଗ୍ରଜ-ଆଦେଶେ

ସଉମିତ୍ର ବୀର ?

ରାଜା ଯୁଧିଷ୍ଠିର

ଭ୍ରାତୃଗଣେ ଘେନି,

ଆସିଥିଲେ କି ରେ

ସହ ଯାଜ୍ଞସେନୀ ?

 

ମନ୍ଥି ଭୀମାର୍ଜୁନ

ତୋ ବନବାରିଧି,

କରିଥିଲି କି ରେ

କୌତୁକେ ପାରିଧି ?

ଦେଖୁ ତ ନାହିଁ ମୁଁ

କାହା କିର୍ତ୍ତୀଚିହ୍ନ

କିମ୍ବା କାଳଗ୍ରାମେ

ହୋଇଛି ତା ଲୀନ ।

 

କୀର୍ତ୍ତିଧଂସପଟୁ

କାଳ ଏ ଶୟଳେ,

କିସ ବା ଅସାଧ୍ୟ

ତାର ମତ୍ସତଳେ ?

ତ୍ୟାଗୀ ଯୋଗୀ ତୁହି

ତ୍ୟାଗରେ ଆନନ୍ଦ,

ସଞ୍ଚୟ ସହିତ

ନ ରଖୁ ସମ୍ବନ୍ଧ ।

 

ଜଗତରୁ ବଳି

ତୁ ଅତି ମହତ,

ସଦା ଦାନ-ଯଜ୍ଞେ

ତ୍ୟାଗ-ଯଜ୍ଞେ ରତ ।

କାବ୍ୟ-ସାହିତ୍ୟର

ବହୁ ଉପାଦାନ,

ଅଛି ତୋ ଶରୀରେ

ସଦା ବିଦ୍ୟମାନ ।

 

କବିଗୁରୁ ତୋର

ସାର୍ଥକ ଅଭିଖ୍ୟ,

କବିକୂଳେ ଅର୍ପୁ

ଉପଯୁକ୍ତ ଶିକ୍ଷା ।

ସୁଧା-ଧବଳିତ

ସୁରମ୍ୟ ବଙ୍ଗଳା

ବେଢ଼ିଛି ତାହାକୁ

ପ୍ରାଚୀର ମେଖଳା ।

 

ମଧ୍ୟେ ବିରାଜିତ

ପୁଷ୍ପ-ଫଳୋଦ୍ୟାନ,

ଶୋଭାଦେବୀଙ୍କର

ବିଳାସ ଆସ୍ଥାନ ।

ଅନ୍ୟ ପାର୍ଶ୍ୱେ ରାଜେ

ଶ୍ୟାମକାନ୍ତ ଗିରି,

ମାରାଗ ମଣ୍ଡପ

ପ୍ରାୟ ସାର ଶିରୀ ।

 

ଦିବା ରାତ୍ରି ମଧ୍ୟେ

ପ୍ରଦୋଷ ସଙ୍କାଶ,

ବିସ୍ତାରେ ଉଦ୍ୟାନେ

ବସି ପୁଷ୍ପହାସ ।

ଅଥବା କଳ୍ପନା

ଭାବ ମଧ୍ୟସ୍ଥଳେ,

କବିତା-ସୁନ୍ଦରୀ

ବସିଛି ନିଶ୍ଚଳେ ।

 

ଏ ପାଶେ ପୂର୍ଣ୍ଣିମା

ସେ ପାଶେ ଉଆଁସ,

ମଧ୍ୟେ କୃଷ୍ଣପକ୍ଷ

କରିଛି କି ବାସ !

ଉଦ୍ୟାନ-ସୁନ୍ଦରୀ

ନାଭିକୁଣ୍ଡ ପ୍ରାଏ,

ସୁଗଭୀର ବାମ୍ଫୀ

ମଧ୍ୟେ ଶୋଭା ପାଏ ।

 

ମୁଖର ଉଦ୍ୟାନ

ପକ୍ଷୀ କଳରବ,

ପରିପୂର୍ଣ୍ଣ ସଦା

ସଙ୍ଗୀତ ଉତ୍ସବ ।

ବେଳେ ବେଳେ ତହିଁ

କାନନ ଅପ୍‌ସରୀ,

କ୍ରୀଡ଼ନ୍ତି ମୁଗୀଏ

ଶୈଳୁଁ ଅବତରି ।

 

ମଧ୍ୟାହ୍ନେ କଳାପୀ

ବିସ୍ତାର କଳାପ,

ଷଡ଼ଜ ସ୍ୱରେ କରେ

ସଙ୍ଗୀତ ଆଳାପ ।

ଛାୟା ସୁଶୀତଳ

ଉଦ୍ୟାନ ବକ୍ଷରେ

ଭ୍ରମିଲେ ଉଲ୍ଲାସ

ଉପୁଜେ ଅନ୍ତରେ ।

 

ପୁଷ୍ପଗନ୍ଧ ଫଳ

ଅର୍ପି ଉପହାର,

କରେ ସେ ଉଦ୍ୟାନ

ଅତିଥି-ସତ୍କାର ।

ଊର୍ଦ୍ଧ୍ୱବାହୁ ଯୋଗୀ

ପାଦପନିକର,

ସୁକଠୋର ଯୋଗେ

ରତ ନିରନ୍ତର ।

 

ସ୍ୱଦେଶୀ ବିଦେଶୀ

ତରୁ ଗୁଳ୍ମପୁଞ୍ଜ

ସୃଜିଛନ୍ତି କେତେ

ରମଣୀୟ କୁଞ୍ଜ ।

ଉଦ୍ୟାନ-କମଳା

ପଦେ ଯାଏ ଦେଖା,

ରଙ୍ଗପଥ ଯେହ୍ନେ

ଅଳନ୍ତକ ରେଖା ।

 

ଦେବତା ଡୁଙ୍ଗର

ନିୟାମ ମଧ୍ୟରେ,

ରମ୍ୟ ରାଜପୁରୀ

ଏ ଉପମା ଧରେ ।

ଶୀତେ ଗ୍ରୀଷ୍ମେ ଅବା

ଜଗାଇ ଦି’ ପାଶେ,

ମଧ୍ୟେ ମଧୁଋତୁ

ସୁଷମା ପ୍ରକାଶେ ।

 

ରାଜ୍ୟ, ରାଜଧାନୀ

ହେଲେ ସୁଦ୍ଧାସାନ

ପରିପୂର୍ଣ୍ଣ ତହିଁ

ସର୍ବ ଉପାଦାନ ।

ବହୁ ଅର୍ଥ ଶ୍ରାଦ୍ଧ

ହୋଇ ନାହିଁ ତହିଁ,

ତଥାପି ସୌନ୍ଦର୍ଯ୍ୟ

ହେବ ନାହିଁ କହି ।

 

ରାଜରୁଚି, ରାଜ-

ସୌନ୍ଦର୍ଯ୍ୟାନୁଭୂତି,

ଧରିଛି ତହିଁରେ

ମନୋହର ମୂର୍ତ୍ତି ।

ନାଗରିକ ସର୍ବ-

ଯୋଗ୍ୟ ଉପାଦାନ,

ଅଳ୍ପ ସ୍ଥାନ ମଧ୍ୟେ

ଅଛି ବିଦ୍ୟମାନ ।

 

ସ୍ୱହସ୍ତେ ପ୍ରକୃତି

ଯାକୁ ସଜାଉଛି,

ନାହିଁ ବୋଲିବାକୁ

ନାହିଁ ତହିଁ କିଛି

ପ୍ରକୃତି ଯାହାର

ସୁବେଶକାରିଣୀ,

ନ ହେବ କିପାଁ ସେ

ମାନସହାରିଣୀ ?

 

ପ୍ରାକୃତିକ ଶୋଭା

ଶୋଭା ମଧ୍ୟେ ସାର,

ହେବ କି କୁତ୍ରିମ

ଉପମା ତାହାର ?

ଗଢ଼ିଛି ଯାହାକୁ

ପ୍ରକୃତି-ସୁନ୍ଦରୀ,

ସୁନ୍ଦରପଣରେ

କିଏ ତାକୁ ସରି ?

 

ସିଂହଦ୍ୱାରେ ନବ

ସୌନ୍ଦର୍ଯ୍ୟର ସୃଷ୍ଟି

ଉପମା ଭଣ୍ଡାର

କରିଛି ସେ ଲୁଟି ।

ଶିକାରଠାଣିରେ

ଉର୍ଦ୍ଧ୍ୱେ ସିଂହଦ୍ୱୟ,

ଚାହିଁଛନ୍ତି ହୋଇ

ଏକାନ୍ତ ତନ୍ମୟ ।

 

ସତେ ଯେହ୍ନେ ଉଗ୍ର

ବଳ ସହକାରେ,

ଲମ୍ଫଦେଇ ମାଡ଼ି

ବସିବେ ଶିକାରେ ।

ରାଜଭବନର

ମୃତ୍ତିକାମନ୍ଦର-

ସ୍ଥାନେ ଉଭା ଏବେ

ହର୍ମ୍ୟ ଭୁଙ୍ଗ ଶିର ।

 

ଅନୁପମ ତାର

ସୁନ୍ଦର ଆକୃତି,

କବିତାଛନ୍ଦ କି

ଧରିଅଛି ମୂର୍ତ୍ତି !

କୁଳ-ଅଧିଦେବୀ

ଦକ୍ଷିଣା କାଳିକା,

ରୌପ୍ୟାସନେ ବିଜେ

ଶଙ୍କରନାୟିକା ।

 

ପ୍ରଭୁ ଗୋପୀନାଥ

ଛବିଳ ଦେଉଳେ,

ବିଜେ ମଣ୍ଡି ଅଙ୍ଗ

ହାରିଦ୍ର୍ୟ ଦୁକୂଳେ ।

ବକୁଳ ପାଦପ

ବିରାଜେ ପୁରତେ,

ବିରାଜ ପରାୟେ

ଯୋଡ଼ି ଶାଖା ହସ୍ତେ ।

 

ପୃଷ୍ଠଭାଗେ ଉଭା

ଦେବତା ଡୁଙ୍ଗର,

ଇନ୍ଦ୍ରୀୟବରନିନ୍ଦୀ

ନୀଳ କଳେବର ।

ଆପାଦ ମସ୍ତକ

ଆଚ୍ଛନ୍ନ ଅଟକୀ,

ଅଧିଷ୍ଠିତ ତହିଁ

ଭୈରବ ଭୈରବୀ ।

 

ବାଞ୍ଛା-କଳ୍ପତରୁ

ଦୁଃଖୀ ଦୁଃଖଭାରୀ,

ଡାକିଲେ ଶୁଣନ୍ତି

ଆତୁର ଗୁହାରି ।

ପଥପାର୍ଶ୍ୱେ ସ୍ଥିତ

ଦେଉଳ ସୁନ୍ଦର,

ମଧ୍ୟେ ବିଜେ ପ୍ରଭୁ

ନୀଳକଣ୍ଠେଶ୍ୱର ।

 

ରାଜ୍ୟ କ୍ଷେତ୍ରପାଳ

ଅଟନ୍ତି ସେ ଶିବ

ଯୋଗମଗ୍ନଯୋଗୀ

ଦୟାଳୁ ଅତୀବ ।

ମହିମାମୟୁଖେ

କାମଦେବ ଅରି,

ନିବସନ୍ତି ଦିଗ

ଆଲୋକିତ କରି ।

 

ବାଳକ ବାଳିକା

ବେନି ଶିକ୍ଷାଳୟ,

ପାନ୍ଥାବାସ ରାଜ-

କାର୍ଯ୍ୟାଳୟଚୟ;

ଚିକିତ୍ସା ଆଗାର

ବିପଣି ସହିତ,

ଯଥାଯୋଗ୍ୟ ସ୍ଥାନେ

ହୋଇଛି ନିର୍ମିତ ।

 

ପଥ,ଘାଟ, ଗ୍ରାମ

ନିର୍ମିତ ସୁନ୍ଦର,

ହର୍ମ୍ୟ ଉଦ୍ୟାନର

ନାହିଁ ପଟାନ୍ତର ।

ପାଳନ୍ତି ଏ ରାଜ୍ୟ

ମାହେଶ୍ୱରୀଦେବ,

ନୀତି ନିପୁଣ କେ

ତାଙ୍କ ପରି ହେବ ?

 

ସରସ ମଧୁର

ତାଙ୍କ ରାଜନୀତି,

ଗାଉଛି ଉଜ୍ୱଳ

ଉଜେ ଖ୍ୟାତିଗୀତି ।

ରହିଥାଏ ଘେରି

ସଦା ତାଙ୍କୁ କର୍ମ,

କର୍ମ ତାଙ୍କ ଜପ,

ତପ, ଯଜ୍ଞ, ଧର୍ମ।

 

ଥାନ୍ତି ସଦା କର୍ମେ

ନିଜକୁ ନିଯୋଗି,

ରାଜା ହୋଇ ସୁଦ୍ଧା

ଚିର-କର୍ମଯୋଗୀ

ନିରେଖି ତାଙ୍କର

ସ୍ଥାପତ୍ୟ କଳ୍ପନା,

ବିଜ୍ଞ ସ୍ଥପତିର

ବୁଦ୍ଧି ହେବ ବଣା ।

 

କୃଷି ଶିଳ୍ପ ପଣ୍ୟ

ଶିକ୍ଷା ସଂସ୍କାରରେ,

ଧାଇଁଛି ଏ ରାଜ୍ୟ

ଆଗକୁ ପ୍ରଖରେ ।

ଶତହସ୍ତ ହୋଇ

ବିଜ୍ଞ ନରପତି,

ସାଧୁଛନ୍ତି ସଦା

ରାଜ୍ୟର ଉନ୍ନତି ।

 

ଚାରି ସ୍ଥାନେ ସ୍ଥାପି

ବିଶାଳ ଖମାର,

ଦେଇଛନ୍ତି ଖୋଲି

ଉନ୍ନତିର ଦ୍ୱାର ।

ଏକାଧାରେ ତହୁଁ

କୃଷକ ସକଳ,

ଲଭୁଛନ୍ତି ସୁଖେ

ଦୁଇଗୋଟି ଫଳ ।

 

ଉଚ୍ଚ କୃଷିବିଦ୍ୟା,

ଅର୍ଥ ଉପାର୍ଜନ,

ଶିଖନ୍ତି ଶ୍ରମିକ-

ରୂପେ ପ୍ରଜାଗଣ ।

ପ୍ରତିବେଶୀ ରାଜ୍ୟେ

ସେଥିର ପ୍ରଭାବ,

ପଡ଼ି ଦୂର କରେ

ପ୍ରଜାଙ୍କ ଅଭାବ ।

 

ଏକ ସ୍ଥାନେ ପୁଷ୍ପ

ହୋଇ ପ୍ରସ୍ଫୁଟିତ,

ଚାରି ଦିଗ ଯଥା

କରେ ଆମୋଦିତ,

ଜନ୍ମି ଏକସ୍ଥାନେ

ତଥା ନବାର୍ଦଶ,

କରେ କ୍ରମେ କ୍ରମେ

ବହୁ ସ୍ଥାନେ ସ୍ପର୍ଶ ।

 

କୃଷିର ଉନ୍ନତ-

ପ୍ରଣାଳୀ ନୂତନ,

କରୁଛନ୍ତି ନୃପ

ନିଜେ ଉଦ୍ଭାବନ ।

ସୃଜୁଛନ୍ତି ରାଜ୍ୟେ

ନବ ନବ କୃଷି,

ନବ-ଯୁଗର ସେ

ପରାଶର ଋଷି ।

 

କୃଷି ମହାବିଦ୍ୟା

ନୁହେ ହୀନବୃତ୍ତି,

ଉନ୍ନତିର ତାହା

ଶୁଦ୍ଧ ସ୍ୱର୍ଣ୍ଣମୂର୍ତ୍ତି ।

ପ୍ରଜାକୁଳ ମେଳେ

ରାଜା ଶୁଦ୍ଧୋଦନ

କରୁଥିଲେ ହର୍ଷେ

ମୃତ୍ତିକା କର୍ଷଣ ।

 

ଦ୍ୱାପର ଯୁଗରେ

ରାଜର୍ଷି ଜନକ,

ଥିଲେ ଜଣେ ଶ୍ରେଷ୍ଠ

କୃଷି-ପ୍ରବର୍ତ୍ତକ ।

ଜ୍ୟୋତିର୍ବିଦ୍ୟାଦୀକ୍ଷା

ମନସ୍ୱିନୀ ଖନା;

କରିଥିଲେ କୃଷି-

ପ୍ରବାଦ ରଚନା ।

 

ଏଡ଼େ ଲୋକଙ୍କର

ଯାହା ପ୍ରିୟତର,

ସେ ବିଦ୍ୟା କଦାପି

ନୁହେ ତ ଇତର ।

ଶିଳ୍ପ ବ୍ୟବସାୟ

କୃଷିର ସାପେକ୍ଷ,

ସର୍ବବିଦ୍ୟା ମଧ୍ୟେ

ତାହା ଅଗ୍ରଲେଖ୍ୟ ।

 

ଯେ ବିଦ୍ୟା ପ୍ରଭାବେ

ମୃତ୍ତିକାରୁ ସୁନା

ଉପୁଜେ, ତା ମୂଲ୍ୟ

ନୁହେଁ କେବେ ଊଣା ।

ଯହିଁରେ ମାନବ

ଜୀବନ ନିର୍ଭର

ସେ ବିଦ୍ୟା କଦାପି

ନୁହେଁ ତ ଇତର ।

 

ଓଜଃ ବୀର୍ଯ୍ୟ ତେଜ

ପ୍ରତିଭା ପାଣ୍ଡିତ୍ୟ,

ଯେ ବିଦ୍ୟା ପ୍ରଭାବେ

ହେଉଛି ଗଠିତ,

ଇତର ତାହାକୁ

ମଣେ ଯେଉଁ ନର,

ମାନବ-ସମାଜେ

ସେ ଏକା ଇତର ।

 

ଏ କାଳର ସଭ୍ୟ

ସୁଶିକ୍ଷିତ ଜନେ,

ଦେଖନ୍ତି କୃଷିକୁ

ଅବଜ୍ଞା ନୟନେ ।

ଦୈନ୍ୟ ଅଭାବକୁ

ସେହି ବିଜ୍ଞଗଣ,

ଆଣୁଛନ୍ତି ଗୃହେ

କରି ନିମନ୍ତ୍ରଣ ।

 

ଏକାଳେ କୃଷିର

ବୈଜ୍ଞାନିକ ଧାରା-

ଦେଖାନ୍ତି ଯେ ସେହି

ପୁଜ୍ୟ ଦେଶସାରା ।

ସେ ଏକା ବରେଣ୍ୟ,

ସେହି ଏକା ଧନ୍ୟ,

ସମାଜର ନ୍ୟାସ

ତାହାଙ୍କ ଜୀବନ ।

 

କି ବର୍ଣ୍ଣିତ ନୃପ

ତବ ଶୁଭଗଣ,

ବର୍ଣ୍ଣନାକୁ ତାହା

ବଳେ ଶୁଭଗଣ,

ନାତି ଶୀତ ଉଷ୍ଣ

ରାଜନୀତି ତବ,

ମଳୟ ମାରୁତେ

ଅର୍ପେ ପରାଭବ ।

 

ନବ ଶୁଭନୀତି-

ସ୍ରଷ୍ଟା ତୁମ୍ଭେ ବୀର,

କୌରବ-ଗୌରବ

ଯଥା ଯୁଧିଷ୍ଠିର ।

ତବ ଆବିର୍ଭାବ

ହେ ସୁନୀତି ପ୍ରାଣ,

ଉତ୍କଳ ପକ୍ଷରେ

ବିଧିବତ୍ତ ଦାନ ।

 

ସାହିତ୍ୟର ଆଶା

ସାହିତ୍ୟ ଭରସା,

ସାହିତ୍ୟ-ଗୌରବ

ତୁମ୍ଭେ ମହାଯଶା !

ଆଦର୍ଶ ତୁମ୍ଭର

ପବିତ୍ର ମହତ,

ଉଚ୍ଚ ଲକ୍ଷ୍ୟ ଧରି

କର୍ମେ ଥାଅ ରତ ।

 

କର୍ମକ୍ଷେତ୍ର ତବ

ବିସ୍ତୃତ ବିଶାଳ,

ସାଧକପ୍ରବର

ହେ ବିଜ୍ଞ ଭୂପାଳ !

ରାଜକର୍ତ୍ତବ୍ୟର

ସକତ ବିଭାଗେ,

ଅଦ୍ଭୁତ ଦକ୍ଷତା

ଅର୍ଜିଛି ସରାଗେ ।

 

ଶ୍ରୀରାମଙ୍କ କାର୍ଯ୍ୟ-

କଳାପ ଦର୍ଶନେ,

ଏସନ ସ୍ୱଭାବେ

ଜାତ ହୁଏ ମନେ ।

ଆଦର୍ଶ ନୃପତି

ପୁରାଣ ଯୁଗର,

କେହି ଜଣେ ଅବା

ଲଭି ଜନ୍ମାନ୍ତର,

କରନ୍ତି ଏ ରାଜ୍ୟେ

ରାଜପଣ ସତେ,

ଅସମ୍ଭବ ବୋଲି

ହୁଏ ନାହିଁ ପ୍ରତେ ।

 

ଚିତ୍ତ-ଦୁର୍ଗେ ଉଡ଼େ

ତ୍ୟାଗର କେତନ,

ରାଜୋପାଧି ତବ

ବାହ୍ୟ ଆବରଣ ।

କୀର୍ତ୍ତି-ଦର୍ପଣରେ

ମୂର୍ତ୍ତି ପ୍ରତିବିମ୍ବ,

ହେ ରାଜର୍ଷି, ତବ

କାଳେ କାଳେ ଥିବ ।

ବୁଝନ୍ତି ଇଙ୍ଗିତେ

ଯେହୁ ଜନ-ମନ,

ନୃମଣି ଆଖ୍ୟାରେ

ସେ ଏକା ଭାଜନ ।

 

ପ୍ରଜା ରାଜାପ୍ରାଣ,

ରାଜା ପ୍ରଜାପ୍ରାଣ,

ରାଜା ପ୍ରଜାର ଏ

ସମ୍ପର୍କ ପ୍ରଧାନ ।

ବୁଝନ୍ତି ଏ ତତ୍ତ୍ୱ

ଯେଉଁ ବିଜ୍ଞ ରାଜା,

ତାଙ୍କରି ନାମରେ

ବାଜେ ଖ୍ୟାତିବାଜା ।

 

ପ୍ରଜା-ମୁଖ ସଦା

ମଣ୍ଡନ୍ତି ଯେ ହାସେ

ରାଜନ୍ୟ ସମାଜେ

ଆଦର୍ଶ ରାଜା ସେ ।

ପ୍ରଜାହୃଦ ଯାଙ୍କ

ରାଜ-ସିଂହାସନ,

ଭୂପତିକୂଳେ ସେ

ମହାର୍ହ ରତନ ।

 

ପାଳନ୍ତି ଯେ ପ୍ରଜା

ପୁତ୍ର ନିର୍ବଶେଷେ,

ବର୍ଷେ ଦେବାଶିଷ

ତାଙ୍କ ଶିରୋଦେଶେ ।

ପ୍ରଜା-ମୁଖେ ରଟେ

ଯାଙ୍କ ଯଶୋଗୀତି,

ଧନ୍ୟ ସେହୁ, ଧନ୍ୟ

ତାଙ୍କ ରାଜନୀତି ।

 

କରନ୍ତି ଯେ ବୃଦ୍ଧି

ପ୍ରଜା-ଧର୍ମ-ଧନ,

ଦେବେ ତାଙ୍କୁ ପୂଜା

କରନ୍ତି ଅର୍ପଣ ।

ଲୋକଦେଖା ଧର୍ମ

ଢୋଲପିଟା ଧର୍ମ,

ଧର୍ମ ନୁହେ ତାହା

ଦେଖାଇବା ଢମ ।

 

ସେ ଧର୍ମେ ତୁମ୍ଭର

ବସେ ନାହିଁ ମନ,

ସାତ୍ତ୍ୱକତା ତୁମ୍ଭ

ଧର୍ମର ଜୀବନ ।

ପରମାତ୍ମାରୂପୀ

ପ୍ରଭୁ ବିଶ୍ୱଭୁପ,

ସ୍ଥିତ ସର୍ବଘଟେ

ଧରି ସୂକ୍ଷ୍ମରୂପ ।

 

ତାଙ୍କ ଉପଦେଶ

ପ୍ରବଳ କେବଳ,

ଅନ୍ୟ ଉପଦେଶ

ନାହିଁ କିଛି ଫଳ ।

ଅର୍ପୁଛନ୍ତି ଯାହା

ସେହୁ ନିରନ୍ତର,

ତାହା ସତ୍ୟ ଶିବ

ତାହାହିଁ ସୁନ୍ଦର ।

 

ବୁଝିଅଛି ନୃପ

ତୁମ୍ଭେ ଏହି ତତ୍ତ୍ୱ,

ଧର୍ମଜ୍ଞାନ ତବ

ଏହେତୁ ମହତ ।

ଛାମୁଙ୍କ ମହତ୍ତ୍ୱ

ପୁଣି ସଦାଚାର,

ରାଜଚରିତ୍ରର

ଚାରୁ ଅଳଙ୍କାର ।

 

ସୁଧାଜିଣା ମଧୁ

ସୌରଭ ଯେସନ,

ପୁଷ୍ପ ସୌନ୍ଦର୍ଯ୍ୟର

ମହାର୍ହ ଭୂଷଣ ।

ନିଜେ ରାଜା ପୁଣି

ନିଜେ ହିଁ ସଚିବ,

ଏ ଆଦର୍ଶ ତବ

କାଳେ କାଳେ ଥିବ ।

 

ଜଳର ପ୍ରକୃତି

ସଦା ଶୀତଳତା,

କାରଣବିଶେଷେ

ହେଲେ ତା ଅନ୍ୟଥା;

ନ ହୁଏ ତା ସ୍ଥାୟୀ,

ମୁହୂର୍ତ୍ତକେ ପୁଣ,

ଫେରିଆସେ ତାର

ସ୍ୱାଭାବିକ ଗୁଣ ।

 

ଛାମୁଙ୍କର କ୍ରୋଧ

ତଥା ମହାମନା,

କ୍ରୋଧ ନୁହେ ତାହା

କ୍ରୋଧର ଛଳନା ।

ଅନ୍ତରେ ନ ଥାଇ

ଥାଏ ସେ ବାହାରେ,

କାର୍ଯ୍ୟରେ ନ ମିଶି

ମିଶେ ସେ ଜୁଆରେ ।

 

ପ୍ରତେ ହୁଏ ଦେଖି

ଛାମୁଙ୍କ ଆକୃତି,

କ୍ଷାତ୍ରଧର୍ମ ଯେତେ

ଧରିଅଛି ମୂର୍ତ୍ତି ।

ପାରିଧି ତୁମ୍ଭର

ନୁହେଁ ତ ବ୍ୟସନ,

ଉପଦ୍ରବଶୂନ୍ୟ

ହୁଏ ତହିଁ ବନ ।

 

ଭୀଷଣ ହାଙ୍ଗାର

ମଗର ପ୍ରକାରେ,

ଭ୍ରମନ୍ତି ଶ୍ୱାପଦେ

ବନ-ପାରାବାରେ ।

ଉପଯମ ପ୍ରାୟ

ବିକଟ ମହାନ,

ଦୃଷ୍ଟିରେ ଶୋଷନ୍ତି

ବନ୍ୟଜନ୍ତୁ ପ୍ରାଣ ।

 

ତାଙ୍କ ଉପଦ୍ରବେ

କ୍ଷୁଦ୍ର ଜନ୍ତୁଚୟ,

ଲୁଚନ୍ତି କେ କାହିଁ

ମନେ ଗଣି-ଭୟ ।

କରି ଛାମୁ ତାଙ୍କ

ଜୀବନ ବିନାଶ,

ଭୀତ ଜୀବକୂଳେ

ଅର୍ପନ୍ତି ଆଶ୍ୱାସ ।

 

ଆଗ୍ନେୟାସ୍ତ୍ର ତବ

ହେ ମୃଗୟୁ ଗୁରୁ,

ଚଳ ଲକ୍ଷ୍ୟଭେଦ

କରେ ଅତି ଦୁରୁ ।

ଅସ୍ତ୍ରଶସ୍ତ୍ର ତବ

ଆହେ ରାଜ୍ୟାଧୀଶ,

ଅବ୍ୟର୍ଥ, ଅବ୍ୟର୍ଥ

ଯେସନ କଳୁଶ ।

 

ଋଷି,ବ୍ୟାଘ୍ର ତୀବ୍ର

ବିଷଧର ସାପ,

ବଧିବା କଦାପି

ନୁହେଁ ରାୟେ ପାପ ।

ନିରୀହ ପ୍ରାଣୀର

ପ୍ରାଣରକ୍ଷା କର୍ମ,

ନୁହେ ଅନୁଚିତ,

ତାହା ବୀରଧର୍ମ ।

 

ପ୍ରବଳ ପୀଡ଼ନୁଁ

ଦୁର୍ବଳେ ରକ୍ଷଣ,

ନୃପତିର ସତ୍ୟ-

ଧର୍ମ ସନାତନ ।

ବିଶ୍ୱଧ୍ୱଂସୀ ଦୁଷ୍ଟ

ଦାନବନିକରେ,

ସୃଷ୍ଟିରକ୍ଷା ଅର୍ଥେ

ନାଶନ୍ତି ଅମରେ ।

 

ଦୁଷ୍ଟ ପାଳି ଶିଷ୍ଟେ

କରିବା ଉଦ୍ଧାର,

ଏହା ଧର୍ମଶାସ୍ତ୍ର-

ଉପଦେଶ ସାର ।

ମହାବଳ ବ୍ୟାଘ୍ର

ଦୁର୍ଦ୍ଦାନ୍ତ ଭୀଷଣ,

ବଂଶନାଶେ ଛାମୁ

କରିଛନ୍ତି ପଣ ।

 

ବହୁ ବ୍ୟାଘ୍ରବ୍ୟାଘ୍ରୀ

କଲେଣି ନିହତ,

ବଧିଲେଣି ପୁଣି

ୠକ୍ଷ ଶତ ଶତ ।

କେତେ ଶ୍ୱାପଦର

ଅସ୍ତିତ୍ୱ ବିଲୁପ୍ତ,

ହେଲାଣି ସେ ସଂଖ୍ୟା

ଜ୍ଞାତ ଚିତ୍ରଗୁପ୍ତ ।

 

ଛାମୁଙ୍କର ବ୍ୟାଘ୍ର-

ପାରିଧି ବିଧାନ,

ବର୍ଣ୍ଣିଲେ ହେବ ସେ

ସ୍ୱତନ୍ତ୍ର ପୁରାଣ।

ନ୍ୟାୟମାର୍ଗେ ରହି

ଧନ ଉପାର୍ଜନ,

କରନ୍ତି ଯେ ରାଜା

ରକ୍ଷଣ ବର୍ଦ୍ଧନ,

 

ସତ୍‌ପାତ୍ରରେ ଦାନ

କରନ୍ତି ଆବର,

ବିସର୍ଜି ଉପାଧି

ଲାଳସା ମନ୍ତର,

ଦେବୀ ବସୁମତୀ

ହୋଇ ହୃଷ୍ଟଚିତ୍ତ,

ଅର୍ପନ୍ତି ତାହାଙ୍କୁ

ସର୍ବବିଧ ବିତ୍ତ ।

 

ଏ ସଦୁକ୍ତି ଦେବ

ଛାମୁଙ୍କ ପକ୍ଷରେ

ହୋଇଛି ସାର୍ଥକ

ଅକ୍ଷରେ ଅକ୍ଷରେ ।

ବାକ୍ୟେ ବ୍ୟାକରଣ

ପ୍ରାୟ ନୃପବର,

ଚରିତ୍ର ଛାମୁଙ୍କୁ

କରିଛି ସୁନ୍ଦର ।

 

ଧରଣୀରୁ ରସ

ଶୋଷି ମେଘଗଣ,

ସେହି ଧରଣୀରେ

କରନ୍ତି ବର୍ଷଣ;

ତଥା ତୁମ୍ଭେ ଗ୍ରହ

ପ୍ରଜାଠାରୁ ଧନ,

ତାହାଙ୍କୁହିଁ ପୁଣି

କର ବିତରଣ ।

 

ବିତରଣ ପାଇଁ

ନଦୀ ବହେ ଜଳ,

ବିତରଣ ପାଇଁ

ବୃକ୍ଷ ଧରେ ଫଳ,

ବିତରଣ ପାଇଁ

ଶସ୍ୟ ସଞ୍ଚେ ଧରା,

ବିତରଣ ପାଇଁ

ତାପ ବହେ ଖରା ।

 

କଥା ବିଜ୍ଞମଣି

ଆହେ ନରସାଇଁ,

ସଞ୍ଚୟ ତୁମ୍ଭର

ବିତରଣ ପାଇଁ ।

ଦୟାରେ ସରସ

ସଜ୍ଜନ ହୃଦୟ,

ନୁହେ ନିଜ ପାଇଁ

ତାଙ୍କର ସଞ୍ଚୟ ।

 

ସୁମନ ମହତ୍ତ୍ୱ

ଯେସନ ସୌରଭ,

ସୁକାନ୍ତି ଯେସନ

ମୁକ୍ତାର ବିଭବ,

ପଣ୍ଡିତ-ମହତ୍ତ୍ୱ

ଯେସନ ପ୍ରତିଭା,

ମହତ୍ତ୍ୱ ଯେସନ

ହୀରକର ବିଭା,

 

ସୁକୀର୍ତ୍ତୀ ଯେସନ

ବୀରର ମହତ୍ୱ,

ଔଦାର୍ଯ୍ୟ ତେସନ

ତବ ବିଶେଷତ୍ୱ।

ସତ୍ୟ ଉକ୍ତି ଏହା

ନୁହେ ଔପାଧିକ,

ନ ମଣି ଅତ୍ୟୁକ୍ତି

ହେ କାବ୍ୟ-ରସିକ !

 

ନୈସର୍ଗିକ ତେଜ

ଅଗ୍ନି ଦେବଙ୍କର,

ଘୃତାହୁତିଦ୍ୱାରା

ହୁଏ ଖରତର ।

ସହଶିକ୍ଷା ପ୍ରଭାବେ

ଛାମୁଙ୍କର ତଥା,

ବିନୟ ସୌଜନ୍ୟ

ବଢ଼ିଛି ସର୍ବଥା ।

 

ସ୍ୱାଭାବିକ ଗୁଣ

ଛାମୁଙ୍କର ତାହା,

ଅର୍ପିଛନ୍ତି ତବ

ପ୍ରାଣେ ବିଶ୍ୱନାହା ।

ନୃପତିର ସିନା

ତାହା ବଡ଼ପଣ,

ରାଜଦେହେ ତାହା

ମହାର୍ହ ଭୂଷଣ ।

 

ରାଜ୍ୟେ ଜମିଜମା

କରି ବନ୍ଦୋବସ୍ତ,

ଅର୍ପିଛ ପ୍ରଜାଙ୍କ

ସୁବିଧା ସମସ୍ତ ।

ଏହି ଉଦାରତା

ତବ ପ୍ରଜା-ପାଳ

ଘୋଷୁଥିବ ପ୍ରଜା-

ପୁଞ୍ଜ ଚିରକାଳ ।

 

ଛାମୁଙ୍କ ସୁଯଶ

ମହିମା ସଙ୍ଗୀତ

ହେଉଅଛି ସୁର-

ପଲ୍ଲୀରେ ଘୋଷିତ ।

କ୍ଷୁଦ୍ର ରାଜ୍ୟ ଖଣ୍ଡେ

ହୋଇ ଆଧିପତି

ପ୍ରଦର୍ଶିଲ ଯେଉଁ

ଆଦର୍ଶ ସମ୍ପ୍ରତ୍ତି,

 

ନାହିଁ ଏ ଦେଶରେ

ପଟାନ୍ତର ତାର

ସେ ଆଦର୍ଶ ତବ

ନବ ଆବିଷ୍କାର ।

ବାୟୁମଣ୍ଡଳେ ତା

ହୋଇ ବିସ୍ତାରିତ,

ମୋହୁଅଛି ଦୀନ

ଉତ୍କଳୀୟ ଚିତ୍ତ ।

 

ମାତୃସମା ମାତୃ-

ଭାଷାର ଉନ୍ନତି-

ବ୍ରତରେ ଶ୍ରୀଛାମୁ

ଆଜୀବନ ବ୍ରତି ।

ଅଷ୍ଟ ଅବଧାନୀ-

ରୂପେ ହେ ନୃପତି,

କାୟମନୋବାକ୍ୟେ

ସାଧୁଛ ଉନ୍ନତି ।

 

ତୁମ୍ଭର ସୁଯଶ

କୀର୍ତ୍ତି ମହମିତ,

କରୁଛି କରିବ

ଦେଶ ଆଲୋକିତ ।

ସେ ଆଲୋକ ଲଭି

ଉତ୍କଳୀୟ ପ୍ରାଣ,

କୃତଜ୍ଞତା ନିଶ୍ଚେ

କରିବ ପ୍ରଦାନ ।

 

ତୁମ୍ଭ ପରି ରାଜା

ଥିଲେ କେତେ ଜଣ;

ନ ଥାନ୍ତା ସାହିତ୍ୟ-

ଜନନୀ କଷଣ ।

ଜାତୀୟ-ସାହିତ୍ୟ

ବହୁ ଉଚ୍ଚସ୍ତରେ,

ରାଜୁଥାନ୍ତା ଆଜି

ଉନ୍ନତି ଅମ୍ବରେ ।

 

ବହୁ ମଣିରତ୍ନ

ଗଜମୋତି ସଙ୍ଗେ,

ଝଟକୁଥାଆନ୍ତା

ଜନନୀ ଶ୍ରୀଅଙ୍ଗେ ।

ମାତ୍ର ଉତ୍କଳର

ଭାଗ୍ୟ ଅତି ହୀନ,

ନିରାଶାରେ ସଦା

କାଟୁଛି ସେ ଦିନ ।

 

କୁବେର ବିଭବ

ସମ ଯାର ଧନ,

ସାହିତ୍ୟ ବୃଦ୍ଧିରେ

ତାର ନାହିଁ ମନ ।

ମନ ଯାର ଅଛି

ଅଭାବ ତାଠାରେ,

ଏଭଳି ଦୃଷ୍ଟାନ୍ତ

ସୁଲଭ ସଂସାରେ ।

 

ଅଭିମାନଶୂନ୍ୟ

ନିରଅହଙ୍କାର,

ଜଣାଯାଏ ଯେହ୍ନେ

ଦେବ-ଅବତାର ।

ନାହୁଁ ବେଶଭୂଷା

ନାହି ଆଡ଼ମ୍ବର

ସରଳ ବେଭାର

ଆଦର୍ଶ ତୁମ୍ଭର ।

 

ଆଦର୍ଶ ଆଦର୍ଶ

ତୁମ୍ଭର ସ୍ୱଭାବ,

ନାହିଁ ତବଠାରେ

ଆଦର୍ଶ ଅଭାବ ।

ମହାପ୍ରାଜ୍ଞ ତୁମ୍ଭେ

ହେ ବିଶ୍ରାମତ୍ୟାଗୀ

ସାହିତ୍ୟେ ସଙ୍ଗୀତେ

ସମ ଅନୁରାଗୀ ।

 

ଅଲୌକିକ ତବ

ଧୈର୍ଯ୍ୟ ସହିଷ୍ଣୁତା,

କ୍ଷତ୍ରିୟ ପକ୍ଷେ ସେ

ମାଣିକ୍ୟ ମୁକୁତା ।

ଭୃଙ୍ଗବୃତ୍ତଧାରୀ

ତୁମ୍ଭେ ମତିମାନ,

ବହୁ ଗ୍ରନ୍ଥପୁଷ୍ପ

କର ମଧୁପାନ ।

 

ଶ୍ରୀଛାମୁଙ୍କ ଭଳି

ସାହିତ୍ୟ-ପାଠକ,

ଥିବେ ଦେଶ ମଧ୍ୟେ

ଅତ୍ୟଳ୍ପସଂଖ୍ୟକ ।

ନିଶୀଥ ପର୍ଯ୍ୟନ୍ତ

ରହି ଉଜାଗରେ,

ସନ୍ତରନ୍ତି ଛାମୁ

ସୁଗ୍ରନ୍ଥ-ସାଗରେ ।

 

ସେ ସାଗର ବହୁ

ରତ୍ନ ଆହରଣ,

କରିବାକୁ ଛାମୁ

ଏକାନ୍ତ ଭାଜନ ।

ନ ମଣନ୍ତି ତହିଁ

ତିଳେହେଁ ଆୟାସ,

ପ୍ରତ୍ୟୁଳ କରନ୍ତି

ଆଗ୍ରହ ପ୍ରକାଶ ।

 

ଜ୍ଞାନାର୍ଜନ ସଦା

ଯାହାଙ୍କର ଲକ୍ଷ୍ୟ,

ଲୋଡ଼ିବ ସେ କିପାଁ

ନିଦ୍ରାସୁଖ କକ୍ଷ ?

ବିବେକ ଗୁରୁର

ଧର୍ମ ଉପଦେଶ,

କ୍ଷାତ୍ର ତେଜ ସହ

ମିଶିଲେ ନରେଶ,

 

ରାଜଶକ୍ତି ତହି

ଲଭେ ବିବର୍ଦ୍ଧନ,

ଯଥା ଅଗ୍ନି ବାୟୁ

ବେନିଙ୍କ ମିଳନ ।

ଆହେ ଧର୍ମବୀର,

ରାଜନୀତି-ବୀର,

ଚାକ୍ଷୁଷ ଦୃଷ୍ଟାନ୍ତ

ଛାମୁ ଏ ଉକ୍ତିର ।

 

ଜାତୀୟ ସାହିତ୍ୟ

ଅଭିବୃଦ୍ଧି ପାଇଁ

ମୁକ୍ତହସ୍ତ ତୁମ୍ଭେ

ସଦା ନରସାଇଁ !

ରାଜ୍ୟ-ଦୀପ୍ତକାରୀ

ଦୀପ ତୁମ୍ଭେ ଭୂପ,

ନାଗବଂଶୀ ନୃପ

କୀର୍ତ୍ତ ପ୍ରତିରୂପ ।

 

ମନ ବଳ ତବ

ହେ ନୃପରତନ,

କରେ ତବ ଦେହେ

ଶକ୍ତି ଆନୟନ ।

ମନବଳେ ହୁଏ

ମହାନଭେ ଉଡ଼ି,

ମନବଳେ ହୁଏ

ସିନ୍ଧୁ ଗର୍ଭେ ବୁଡ଼ି;

 

ଅସାଧ୍ୟ ଯେ କାର୍ଯ୍ୟ

ଦେହବାଳୀ ପାଶେ,

ମନୋବଳୀ ତାହା

ସାଧେ ଅନାୟାସେ ।

ବଳ ମଧ୍ୟେ ସିନା

ସାର ମନ ବଳ,

କର୍ମଶକ୍ତି ତାର

ଅଦ୍ଭୁତ ଅକଳ ।

 

ନାମାନ୍ତର ତାର

ଅଟଇ ସାହସ

ଅର୍ଜନ୍ତି ସାହସୀ

ଜଗତରେ ଯଶ ।

ୠଷି-ରାଜ୍ୟେଶ୍ୱର

ଦେବ ମାହେଶ୍ୱରୀ,

କେ ସରି ତୁମ୍ଭଙ୍କୁ

ହେ ନୃପକେଶରୀ ?.

ବର୍ଣ୍ଣୁଥିଲେ ତବ

ରାଜ୍ୟର ସୁଷମା,

ସରିଯିବ କବି-

ସମ୍ବଳ ଉପମା ।

 

ସମ୍ଭବେ କି ଦେବ

ନିୟମାବିହାରୀ,

ପର୍ଣ୍ଣ ନାବେ ହେବା

ମହାସିନ୍ଧୁ ପାରି !

କେ ତୋଳିବ ହସ୍ତ

ଘନ ସ୍ପର୍ଶ ଆଶେ,

ପକ୍ଷ ନ ଥାଇ କେ

ଉଡ଼ିବ ଆକାଶେ ?

 

ବୟୋଧର୍ମରେ ମୁଁ

ଅବସନ୍ନ ଅତି.

ମହା ଚିତ୍ରାଙ୍କନେ

କାହିଁ ମୋ ଶକତି ?

ହେବ ତୁମ୍ଭେ ବିଜ୍ଞ

କାବ୍ୟ-ରସଜ୍ଞାତା,

ଜାଣିଥିଲେ ଏହା

ପୂର୍ବରୁ ବିଧାତା ।

 

ତେଣୁ ଦେବ ତବ

ରାଜ୍ୟେ ସର୍ବସ୍ଥାନେ,

ସୃଜିଛନ୍ତି ପୂର୍ଣ୍ଣ

କାବ୍ୟ ଉପାଦାନେ ।

ମନ ଜାଣି ତବ

କରୁଣା-ବାରିଧି

ଆସିଛନ୍ତି ସର୍ବ

ହେ ସୁଗୁଣନିଧି !

 

କରିଛନ୍ତି ପୂର୍ଣ୍ଣ

ସବୁ ଏକାଧାରେ

ଅଭାବ କେବଳ

ଗୋଟିଏ କଥାରେ ।

ଆସିଛନ୍ତି ପ୍ରଭୁ

କୁମାରୀ-ଚନ୍ଦ୍ରମା,

ଅଭାବ କେବଳ

କୁମାର-ଅର୍ଯ୍ୟାମା ।

 

ଯେ ଆକାଶେ ଉଦେ

ଶଶୀ ଜ୍ୟୋତିର୍ମୟ,

ସେ ଆକାଶେ ପୁଣି

ହୁଏ ସୂର୍ଯ୍ୟୋଦୟ ।

ଏଥକୁ ହେ ନୃପ

ନ ହୁଅ ଚିନ୍ତିତ,

ଚନ୍ଦ୍ର ପଛେ ସୂର୍ଯ୍ୟ

ହେବେ ସମୁଦିତ ।

 

ଏ ନିୟମ ସିନା

ଭବେ ଚିରନ୍ତନ,

ଅର୍ପିବେ ତୁମ୍ଭଙ୍କୁ

ପ୍ରଭୁ ପୁତ୍ରରତ୍ନ ।

ସେ ରତ୍ନଜ୍ୟୋତିରେ

ହେବ ହେ ନିଶ୍ଚିତ,

ରାଜହର୍ମ୍ୟ ତବ

ଦିନେ ଆଲୋକିତ ।

 

ନିୟତି ନିୟମେ

ଯଥାକାଳେ ଫଳ,

କରନ୍ତି ଧାରଣ

ପାଦପ-ସକଳ ।

ନିୟତିର ସେହି

ଶାଶ୍ୱତ ନିୟମ,

ଲଙ୍ଘିବାକୁ କେହି

ଭବେ ନୁହେଁକ୍ଷମ ।

 

ଅଦୂର ଭବିଷ୍ୟେ

ତବ ଧର୍ମବଳ,

ଫଳାଇବ ତବ

କର୍ମ-ବକ୍ଷେ ଫଳ ।

ଘେନୁଛି ମେଲାଣି

ହେ ନୃପରତନ,

ଋଣୀ ତବ ପାଶେ

ମୁହିଁ ଆଜୀବନ ।

 

ଲଭିଛି ସତତ

ନାନା ଉପକାର,

ଅଶୋଧ୍ୟ ମୋ ପକ୍ଷେ

ସେହି ୠଣଭାର ।

ପାଷାଣ-ଖୋଦିତ

ରେଖା ସମ ତାହା,

ଏ ଜୀର୍ଣ୍ଣଶରୀରରେ

ଅଙ୍କା ନରନାହା !

 

ଗଢ଼ା ମୋ ଉନ୍ନତି

ତବ ଦତ୍ତ ଧନେ,

ଅର୍ପେ କୃତଜ୍ଞତା

ଦେହେ ପ୍ରାଣେ ମନେ ।

ଲାଞ୍ଜିଗଡ଼, ଏବେ

ଘେନୁଛି ମେଲାଣି,

ତୁହି ସିନା ମୋର

ଅଦୃଷ୍ଟ ବିନ୍ଧାଣି ।

 

କହୁଥିବା ଯାଏଁ

ତୋ ସଙ୍ଗରେ କଥା,

ଯାଇଥିଲି ଭୁଲି

ସବୁ ଦୁଃଖ ବ୍ୟଥା ।

ପୀୟୁଷପ୍ରତିମ

ସଜ୍ଜନ୍ନ ଆଳାପ,

ହରେ ସେ ହୃଦୟୁଁ

ବେଦନା ସନ୍ତାପ ।

 

ଭବ-ମରୁରେ ମୁଁ

ପଥବଣା ପାନ୍ଥ,

ସାହା ସଙ୍ଗୀଶୂନ୍ୟ

ପୁଣି ଅତି ଶ୍ରାନ୍ତ ।

ଚିର-ଅନ୍ଧାରିତ

ମୋର ଗତି-ପଥ

ବ୍ୟର୍ଥତାରେ ଗଢ଼ା

ମୋର ମନୋରଥ ।

 

ନୁହେ ଭବ-କ୍ରୀଡ଼ା

କୌତୁକ ଅଗାର,

ତମୋମୟ ତାହା

ଭୀମ କାରାଗାର ।

ଅସାର ସଂସାରେ

ବୋଲନ୍ତି ଯେ ସାର,

କରୁଥାଏ ତାଙ୍କୁ

ଦୁରୁଁ ମୁଁ ଜୁହାର ।

 

ମନ କଥା ସଦା

ରହିଥାଉ ମନେ,

କେଉଁ ଫଳ ଅବା

ବିଫଳ କ୍ରନ୍ଦନେ ?

ଘାଣ୍ଟିଲେ ଅନଳେ

ବଢ଼େ ସିନା ତାପ,

ଅନୁତାପେ ତଥା

ବଢ଼େ ଅନୁତାପ ।

 

ଯେତେ ଦିନଯାଏଁ

ଥିବ ମୋ ଆକୃତି,

ମୋ ଦୀନ ସଙ୍ଖାଳି

ହେବ ତୋର ସ୍ମୃତି ।

ନେଉଛି ବିଦାୟ

ଜପି ତୋର ନାମ,

ଘେନ ଋଷିରାଜ୍ୟ

ସଭକ୍ତି ପ୍ରଣାମ ।