ନିବେଦନ

ଶ୍ରୀବତ୍ସ ପଣ୍ଡା

 

ନିବେଦନ

ମୁକତି-ମଣ୍ଡପ            ପଣ୍ଡିତସମାଜ

ଉତ୍କଳ-ସାମନ୍ତ-କୁଳ-ଅଗ୍ରଣୀ,

କରନ୍ତୁ ପ୍ରଭୁତ୍ୱ            ଦେଖାଇ କୃତିତ୍ୱ

ନାମ ରଖି ଯିବେ ଏହି ଧରଣୀ ।

 

ସ୍ଥାନର ମହିମା            ହେତୁରୁ ଦେଶରେ

ବଢ଼ାଇଅଛନ୍ତି ଯେଉଁ ସମ୍ମାନ,

ସେହି ଗଉରବ            ରଖିବାକୁ ଭବେ

ଦୃଢ଼ବ୍ରତେ ପଣ କରନ୍ତୁ ପ୍ରାଣ ।

 

ବିଶୁଦ୍ଧ ପାଣ୍ଡିତ୍ୟ            ନୋହୁ କଳଙ୍କିତ

ଉଦାସୀନତାର ତିମିରେ ପଡ଼ି,

ସ୍ଥାନର ମାହାତ୍ମ୍ୟ            ନୋହୁ ଅନ୍ତର୍ହିତ

ରକ୍ଷଣଶୀଳତା-ପୂତିରେ ସଢ଼ି ।

 

ଶ୍ରୁତିଶାସ୍ତ୍ର-ଚର୍ଚ୍ଚା            ବେଦାନ୍ତାଦି ବ୍ୟାଖ୍ୟା

ହେତୁ ଭାରତେ ଯେ ଅଛି ବିଦିତ,

ବାର ତିଥି ଓଷା            ବିଧାନ ବିଚାରେ

ନୋହୁ ତା ମାହାତ୍ମ୍ୟ ପର୍ଯ୍ୟବେସିତ ।

 

କେବେ ମହାଷ୍ଟମୀ            କେବେ ବା ଦଶମୀ

ସିଦ୍ଧାନ୍ତ ନିମନ୍ତେ ଭାରି ବିତଣ୍ଡା

କରିବାକୁ ଆଜି            ପଣ୍ଡିତେ ବାହାର

ଦେଶ ବିଦେଶରୁ କେତେକ ଗଣ୍ଡା ।

 

ଖୋଜି ଧର୍ମଶାସ୍ତ୍ର            ପଞ୍ଜିକାପଦ୍ଧତି

କରନ୍ତି ବିଚାର କେତେ ପଣ୍ଡିତ,

କେଉଁ ଦ୍ରବ୍ୟ ଖାଦ୍ୟ            କେ ଅବା ଅସ୍ପଶ୍ୟ

ପୂଜାରେ କି ଦ୍ରବ୍ୟ ହୁଏ ଅର୍ପିତ ।

 

ଏହିପରି ବୃଥା            କଥା କରି ଚିନ୍ତା

ପଣ୍ଡ ନ କରନ୍ତୁ ଦିବ୍ୟ ପାଣ୍ଡିତ୍ୟ,

ମଙ୍ଗଳ କରନ୍ତୁ            ଉତ୍କଳ ଦେଶର

ଦେଖାଇ ନିଜର କିଛି କୃତିତ୍ୱ ।

 

ବହୁ ସଭା କରି            ବିବିଧ ବିଷୟ

ମୀମାଂସା କରନ୍ତୁ ବିଜ୍ଞ ପାଠକ,

ଦୃଷ୍ଟି ଥିବ, ମୁକ୍ତି-            ମଣ୍ଡପ ଯେପରି

ନ ହୁଏଟି କେବେ ଭଣ୍ଡବୈଠକ ।

 

ଚାରି ପଇସାରେ            ଯଦି ମୁକ୍ତି ମିଳେ

କଲେ ମଣ୍ଡପରେ ମୁଣ୍ଡ ଘୋସରା,

ମଫସଲବାସୀ            ନିଜ ଘରେ ବସି

ଦାଣ୍ଡରେ ବାଢ଼ନ୍ତେ ମୁକ୍ତି-ପସରା ।

 

ଜ୍ଞାନ ସିନା ମୁକ୍ତି            ଜ୍ଞାନ ହିଁ ସଳ୍ପତି

ପାଇ ଜ୍ଞାନ ପ୍ରାଣୀ ହୁଏ କୃତାର୍ଥ,

ସେ ଜ୍ଞାନ ପ୍ରଚାରି            କରନ୍ତୁ ଭାରତେ

ମୁକତିମଣ୍ଡପ ନାମଟି ସାର୍ଥ ।

 

କୁଳାଚାର ସବୁ            ସିନା ସ୍ୱାର୍ଥ ମୂଳ

ପରାର୍ଥେ ଦିଅନ୍ତୁ ନିଜ ସମ୍ୱଳ,

ଶିକ୍ଷା-ଚିନ୍ତା-ଜାତ            ମନର ଧାରଣା

ସୁସ୍ପଷ୍ଟ କହନ୍ତୁ ଯାହା ସରଳ ।

 

ଜ୍ଞାନୀ ଲୋକ ସିନା            ଦେଖାନ୍ତି ସୁପଥ

ମୂଢ଼ ଜନ କରେ ଅନୁସରଣ,

ଯଦିଚ ପଣ୍ଡିତେ            ଚାଲନ୍ତି କୁପଥେ

ଦେଶେ ହେବେ କି ସେ ଭକ୍ତିଭାଜନ ।

 

ସବିଦ୍ୟ ଯେ ନର            ନ ଶିଖାଏ ଶିଷ୍ୟେ

ହୁଅଇ ସେ ପରା ପରେ ରାକ୍ଷସ,

ତା ହେଲେ କୁଣ୍ଠିତ            ପଣ୍ଡିତେ ହେବେ ତ

ପରଜନ୍ମେ ରକ୍ଷ ହୀନସାହସ ।

 

ମୁକତିମଣ୍ଡପେ            ଆସନ-ସମ୍ମାନ

ପାଇ କରୁଛନ୍ତି ସିନା ଗରବ,

କିନ୍ତୁ ସମାଜର            ଉନ୍ନତିସାଧନ

ନିମନ୍ତେ ଅଛନ୍ତି ସଦା ନୀରବ ।

 

ଭାରତ ଜାତିରେ            ପୂରୁବକାଳରେ

ଦୃଢ଼ ବ୍ରହ୍ମଚର୍ଯ୍ୟ ଥିଲା ବିଧାନ,

ବାଲ୍ୟକାଳେ ଆଜି            ବିବାହିତ ହୋଇ

ହୀନବୀର୍ଯ୍ୟ ହେଲେ ଦ୍ୱିଜସନ୍ତାନ ।

 

ଯୁବତୀ ବିବାହ            ଥିଲେ ହେଁ ପ୍ରସିଦ୍ଧ

ଶ୍ରୁତି ସ୍ମୃତି ଶାସ୍ତ୍ର ଇତିହାସରେ,

ବାଲ୍ୟକାଳୁଁ ପିତା            ଦେଲେଟି ଦୁହିତା

ବିଭା କରି ଦୁଷ୍ଟ ଯବନ ଡରେ ।

 

ବୟସ୍କର ବିଭା            ସୁଫଳ ଜନ୍ମାଏ

ବଳହୀନ କରେ ବାଲ୍ୟବିବାହ,

ବାଳକ ବାଳିକା            ବିବାହ କୌତୁକ

ପଶ୍ଚାତେ ଜନ୍ମାଏ ଶରୀରଦାହ ।

 

ବ୍ରହ୍ମଚର୍ଯ୍ୟ ବିଧି            ପାଳନପୂର୍ବକ

ହୋଇଥାନ୍ତି ଯେଉଁମାନେ ନିଷ୍କ୍ରାନ୍ତ,

ସେମାନେ କେବଳ            ଭୋଗନ୍ତି ନିଶ୍ଚୟ

ଦିବ୍ୟ ଦମ୍ପତିର ପ୍ରେମ ପ୍ରଶାନ୍ତ ।

 

ପ୍ରକୃତ ଗ୍ରାର୍ହସ୍ଥ୍ୟ            ପରେ ବାନପ୍ରସ୍ଥ

କରଇ ସୁଗମ ସନ୍ନ୍ୟାସାଶ୍ରମ,

ଆଶ୍ରମ ନିୟମ            ଛାଡ଼ିବା ଦିନରୁ

ଭାରତୀୟ ଆର୍ଯ୍ୟ ହେଲେ ଅଧମ ।

 

ବ୍ରହ୍ମଚର୍ଯ୍ୟ ଆଦି            ଆଶ୍ରମ ବିଧାନ

ହେଲେ ସଂସ୍ଥାପନ ହିନ୍ଦୁଜାତିରେ,

ଭାରତ ଦେଶର            ପୂରୁବ ଗୌରବ

ପୁନରପି ପ୍ରାପ୍ତ ହେବ ଅଚିରେ ।

 

ପୂର୍ବେ ନାରୀଗଣ            ପ୍ରକାଶ୍ୟେ ଭ୍ରମଣ

କରୁଥିଲେ ମନେ ବହି ଶରଧା,

ସେମାନଙ୍କୁ ଗୃହ            କୋଣରେ ଆବଦ୍ଧ

କରି ନାହିଁ ଏହି କ୍ରୁର ପରଦା ।

 

ସଂସାର ଯାତ୍ରାରେ            ପୁରୁଷ ସଙ୍ଗରେ

ନାରୀ ଅଟେ ସଦା ସହଗାମିନୀ,

ଈଶ୍ୱର ସେବାରେ            ଧର୍ମ ସାଧନରେ

ପତ୍ନୀ ଅଟେ ପତି ସହଚାରିଣୀ ।

 

ରମଣୀଜାତିର            ଅବରୋଧ ଅଟେ

ପ୍ରକୃତି-ନିୟମ-ଦିଗରହିତ,

ବହିର୍ଭ୍ରମଣରୁ            ଦୃଶ୍ୟଦର୍ଶନରୁ

ସେମାନଙ୍କୁ ସଦା ରଖେ ବଞ୍ଚିତ ।

 

ଏହି ଯାବନିକ            କଦର୍ଯ୍ୟ ବ୍ୟବସ୍ଥା

ସ୍ତ୍ରୀଶିକ୍ଷାର ହୁଏ ପ୍ରତିବନ୍ଧକ,

ଶିକ୍ଷା ଅଭାବରୁ            କୁଳସ୍ତିରୀଗଣ

ଉନ୍ନତିପଥର ହେଲେ କଣ୍ଟକ ।

 

ଗାର୍ଗୀ ମଇତ୍ରେୟୀ            ପ୍ରଭୃତି ବିଦୂଷୀ

ନାହାନ୍ତି, ନାହିଁ ସେ ଯୁଗ ବୈଦିକ,

କୁଳସ୍ତିରୀ ଆଜି            ଅନ୍ଧାର କୋଣରେ

ବିଚରନ୍ତି ଯେହ୍ନେ ଗନ୍ଧମୂଷିକ ।

 

ଲୀଳାବତୀ ସହ            ଆଚାର୍ଯ୍ୟ ମିହିର

କଲେଟି ଗଣିତ ସୂତ୍ର ସାଧନ;

କୁଳବଧୂ ଆଜି            ମୂକଲୋକ ପରି

ଅଙ୍ଗୁଳିରେ କରେ ଭାବ ଜ୍ଞାପନ ।

 

ପୂର୍ବେ କରୁଥିଲେ            ମୁନିକନ୍ୟାଗଣ

ଗଣିତ ବେଦାନ୍ତ ଅନୁଶୀଳନ,

ସାମନ୍ତାଣୀମାନେ            ଆଜି ଗୃହକୋଣେ

ରହି କରୁଛନ୍ତି ଚୁଁ ଚୁଁ ଭାଷଣ ।

 

ବାଲ୍ୟପରିଣୟ            ଅବରୋଧ ପ୍ରଥା

ବିରୋଧେ ଲିଖନ ହେଉ ବ୍ୟବସ୍ଥା,

ପାଆନ୍ତୁ ବନିତା            ଶିକ୍ଷା ସ୍ୱାଧୀନତା

ଘୁଞ୍ଚିଯାଉ ତାଙ୍କ ହୀନ ଅବସ୍ଥା ।

 

ଆଜୀବନ ପରା-            ଧୀନା ଯେ ଅବଳା

ଭୋଗଇ ସେ ଆଜି ଚିର ବୈଧବ୍ୟ,

ବିଧବା ଯୁବତୀ            ସ୍ୱେଚ୍ଛାଚାରେ ପଡ଼ି

ପାରେ ନାହିଁ ବୁଝି ନିଜ କର୍ତ୍ତବ୍ୟ ।

 

ଯୌବନେ ସୁନ୍ଦରୀ            କାମିନୀ ନ ପାରେ

ପ୍ରଲୋଭନ କରି ଅତିକ୍ରମଣ,

ବ୍ୟାଭିଚାରେ ପୁଣି            ବିଭୀଷିକାମୟ

କରିଦିଏ ତାର ଭାବୀ ଜୀବନ ।

 

ପବିତ୍ର ବିବାହ            ଉଦ୍ଦେଶ୍ୟ ଜାଣିବା

ଯେଉଁ ବାଳିକାର ନାହିଁ କ୍ଷମତା,

ବିଧବାର ବ୍ରତ            ପାଳନରେ କାହିଁ

ଦେଖାଇ ପାରେ ସେ ହୃଦୟବତ୍ତା ।

 

କେହି ବା ପଣ୍ଡିତ            ପ୍ରକାଶନ୍ତି ମତ

ବ୍ରହ୍ମଚର୍ଯ୍ୟ ବ୍ରତ କରୁ ବିଧବା,

ନୋହୁ କଳୁଷିତ            ରୀତି ପ୍ରଚଳିତ

ପୂରୁବ ଭାରତ ଫେରିବ ଅବା ।

 

କିନ୍ତୁ ବ୍ରହ୍ମଚର୍ଯ୍ୟ            ଅଟଇ ସଂଯମ

ଶିକ୍ଷା ଉଦ୍ଦେଶ୍ୟରେ ତାର ବିଧାନ,

ଯେଣୁ ଇନ୍ଦ୍ରିୟର            ବିହିତ ସଂଯମ

କରେ ସମ୍ପାଦନ ଏକାଗ୍ର ଧ୍ୟାନ ।

 

ପ୍ରବୃତ୍ତି ନିବୃତ୍ତି            ଦୁଇବିଧ ଗତି

ପ୍ରବୃତ୍ତିରେ ହୁଏ ବିଷୟାସକ୍ତି,

ନିବୃତ୍ତି ଅଟଇ            କେବଳ ସମାପ୍ତି

ବିଷୟରେ ଜାତ କରେ ବିରକ୍ତି ।

 

ସକଳ କର୍ମରୁ            ହେବାବେଳେ କ୍ଷାନ୍ତ

ହୁଏ ନାହିଁ ଲୋଡ଼ା ଆଉ ସଂଯମ,

କେବଳ ପ୍ରବୃତ୍ତି-            ମାର୍ଗର ଔଦ୍ଧତ୍ୟ

ଦମନେ ପ୍ରଯୁଯ୍ୟ ସେହି ନିୟମ ।

 

ଋତୁକାଳେ ମାତ୍ର            ସନ୍ତାନ ନିମନ୍ତେ

ଇନ୍ଦ୍ରିୟ ସେବାର ହୁଏ ପ୍ରୟୋଗ,

କିନ୍ତୁ ବ୍ରହ୍ମଚର୍ଯ୍ୟ            ବିଧି ଅନୁସାରେ

ଦୂଷ୍ୟ ଅଟେ ତାର ଅନ୍ୟ ସଂଯୋଗ ।

 

ବିବାହ ନ ହେବା            ମାତ୍ରକେ ବିଧବା

ବ୍ରହ୍ମଚର୍ଯ୍ୟାରେ ହୁଏ କି କ୍ଷମ,

ପ୍ରଲୋଭନେ ପଡ଼ି            ଗୃହକର୍ମେ ଜଡ଼ି

ନାହିଁ ଯାର କିଛି ଶିକ୍ଷା ସଂଯମ ।

 

ପୁରୁଷ ଯେହେତୁ            ସହଜେ ବଳିଷ୍ଠ

ସାଧୁବାର ପୁଣି ଥିବାରୁ ମତି

ସେମାନେ କରନ୍ତି            କେତେ ବ୍ୟଭିଚାର

ନ ଥାଏ ତାଙ୍କର କିଛି ବ୍ୟାହତି ।

 

କିନ୍ତୁ ନିରାଶ୍ରିତା            ବିଧବାର ପ୍ରତି

ଆମ୍ଭେମାନେ କରି କ୍ରୂର ବେଭାର,

ନିଜେ ଭୋଗି ତାର            ବ୍ୟଭିଚାର ଫଳ

ସମାଜରେ ହେଉଅଛୁଁ ନାଚାର ।

 

ବିଧବାବିବାହ            ହେଉ ପ୍ରଚଳିତ

ନାହାନ୍ତି ଏ ଯୁଗେ ସୀତା ସାବିତ୍ରୀ,

ରହସ୍ୟ ପ୍ରଣୟ            ପ୍ରକାଶ୍ୟ ମାରଣ

ନ ପାରିବ ସହି ଆଉ ଧରିତ୍ରୀ ।

 

ବାର୍ଦ୍ଧକ୍ୟ-ଜର୍ଜ୍ଜର            କେତେ ଅବା ବିପ୍ର

କରନ୍ତି ଶିଶୁର ପାଣିଗ୍ରହଣ,

କିଛିଦିନ ପରେ            ଯାଇ ଯମପୁରେ

କରନ୍ତି ଯୁବତୀରତ୍ନ ନିଧନ ।

 

ବାଲ୍ୟପରିଣୟ            ବୃଦ୍ଧର ବିବାହ

ବିଧବାର ସଂଖ୍ୟା କରେ ବର୍ଦ୍ଧନ,

ବିରହ ବିଧୁରା            ଯୁବତୀ ବିଧବା

ଗୃହସ୍ଥର ହୁଏ ଭୀତି କାରଣ ।

 

ବୃଦ୍ଧ ବିବାହର            ପ୍ରଶ୍ରୟ ଦେବାର

ଯଦି ହୁଏ ଧର୍ମଶାସ୍ତ୍ର ସମ୍ମତ,

ବିଧବାର ବିଭା            ନିଷେଧ କରିବା

ହୁଏ ଅବା କେଉଁ ଯୁକ୍ତି ସଙ୍ଗତ ।

 

ବୃଦ୍ଧର ବିବାହ            କରନ୍ତୁ ନିଷେଧ

ଏ ଯୁଗେ ନାହାନ୍ତି ଆଉ ଯଯାତି,

ଭୋଗିବେ ଯୌବନେ      ସହସ୍ର ବରଷ

ନବୀନା ଯୁବତୀ ସମ୍ଭୋଗେ ମାତି ।

 

ବ୍ରାହ୍ମଣ କ୍ଷତ୍ରିୟ            ବୈଶ୍ୟ ପୁଣି ଶୂଦ୍ର

ଚାରି ବର୍ଣ୍ଣ ଥିଲା ଆର୍ଯ୍ୟ ଜାତିରେ,

ଏହି ବର୍ଣ୍ଣଭେଦ            ହୁଏ ବିବେଚିତ

ଗୁଣ ଜ୍ଞାନ କର୍ମ ଧର୍ମ-ନୀତିରେ ।

 

ଆଜି ଅଗଣିତ            ଜାତି ଜନ୍ମଗତ

ହୋଇ ହିନ୍ଦୁ ଜାତି ମଧ୍ୟରେ ସୃଷ୍ଟ,

କଲା କଳୁଷିତ            ପୁଣି ଛିନ୍ନଭିନ୍ନ

ଅଖଣ୍ଡ ପବିତ୍ର ଭାରତପୃଷ୍ଠ ।

 

ଜନ୍ମଗତ ଜାତି            କୌଳିକ ପଦ୍ଧତି

ସମାଜେ ହେବାରୁ ଅତି ବିସ୍ତର,

କି ବଙ୍ଗ ଉତ୍କଳ            ତଥା ଭାରତର

ଜାତୀୟତା ରକ୍ଷା ହେଲା ଦୁସ୍ତର ।

 

ଘରକେ ଜାତିଏ            ହେବାରୁ ହିନ୍ଦୁଏ

ପରସ୍ପର କରି ଦ୍ୱନ୍ଦ ତୁମୁଳ,

ଶିଳ୍ପ ବାଣିଜ୍ୟରେ            କିବା ସମାଜରେ

ଭାରତ ଏକତା କଲେ ନିର୍ମୂଳ ।

 

ଉଚ୍ଚ ଜାତି ଲୋକେ            ଚାରି ବର୍ଣ୍ଣଠାରୁ

କରି ବହିଷ୍କୃତ ଜାତି ପଞ୍ଚମ,

ପୁରାତନ ଆର୍ଯ୍ୟ            ଭାରତ ଜାତିର

କରନ୍ତି ଅଶେଷ କ୍ଷତି ସାଧନ ।

 

ଆକସ୍ମିକ ଜନ୍ମ            ଘଟନା କାରଣ

ହୁଅନ୍ତି ଅନେକ ହିନ୍ଦୁ ଅସ୍ପୃଶ୍ୟ,

ତାଙ୍କ ଗୁଣ ଜ୍ଞାନ            କରମ ସକାଶେ

ନ ଥାଏ କାହାରି କିଛି ବିମର୍ଷ ।

 

ଦୁର୍ଲ୍ଲଭ ମାନବ            ଜନମ ଲଭିଣ

ହେଲେ ସୁଦ୍ଧା ହିନ୍ଦୁ ଧର୍ମାନୁରକ୍ତ,

ନୀଚ ଜାତି ମଣି            ବ୍ରାହ୍ମଣ ଅଗ୍ରଣୀ

ହୁଅନ୍ତି ତାହାଙ୍କ ପ୍ରତି ବିରକ୍ତ ।

 

ନୀଚ କୁଳ ଜାତ            ବୋଲି ବହୁ ଲୋକ

ଭଦ୍ର ସମାଜରୁ ହେବାରୁ ତ୍ୟକ୍ତ,

ପ୍ରଲୋଭନେ ପଡ଼ି                  ଗ୍ରହଣ କରନ୍ତି

ମୁସଲମାନ ବା ଖ୍ରୀଷ୍ଟଙ୍କ ମତି ।

 

ହିନ୍ଦୁ ସମାଜରୁ            ଯଦି କେହି ଲୋକ

କାଳକ୍ରମେ କେବେ ହୁଏ ପତିତ,

ଯାଇ ଖ୍ରୀଷ୍ଟିୟାନ            ନତୁବା ବଉଦ୍ଧ

ଧର୍ମସମାଜରେ ହୁଏ ଗୃହୀତ ।

 

କିନ୍ତୁ ଯଦି କେହି            ଭିନ୍ନମତାଚାରୀ

ହିନ୍ଦୁଧର୍ମେ ହୋଇ ଅନୁପ୍ରାଣିତ,

କରନ୍ତି ପ୍ରାଣର            ଆକାଂକ୍ଷା ହେବାକୁ

ହିନ୍ଦୁ ସମାଜରେ ପରିଗୃହୀତ,

 

ବ୍ରାହ୍ମଣ ସାମନ୍ତ            ହୋଇ ଘଡ୍ଗହସ୍ତ

ତାହାର କରନ୍ତି ସଦା ବର୍ଜନ,

କାଳେ ପୁରୋହିତ            କ୍ଷମତା ବିଲୁପ୍ତ

ହୋଇ କମିଯିବ ତାଙ୍କ ଅର୍ଜନ ।

 

ବିଚାରି ଦେଖନ୍ତୁ,            ଗଣିତ ଫଳରେ

ଯଦି ଆପଣଙ୍କ ଅଛି ବିଶ୍ୱାସ,

ଏହି ହିସାବରେ            ଧର୍ମ ରକ୍ଷା ହେଲେ

କାଳେ ହିନ୍ଦୁଜାତି ହେବ ବିନାଶ ।

 

କେ ପୁଣି କହନ୍ତି            ବ୍ରାହ୍ମଣେ ଅଟନ୍ତି

ସକଳ ଜାତିର ଶୀର୍ଷସ୍ଥାନୀୟ,

କରନ୍ତୁ ସେମାନେ            ଶିକ୍ଷା ସଯତନେ

ହେବଟି ଉନ୍ନତି ସର୍ବଜାତୀୟ ।

 

କିନ୍ତୁ ଦ୍ୱିଜବଂଶେ            ଜନମିଲେ ସୁଦ୍ଧା

ସୂତ୍ରଗୁଚ୍ଛ ମାତ୍ରେ କେହି ବ୍ରାହ୍ମଣ

ହୋଇ ନ ପାରନ୍ତି            କଦାପି, ନ ଥିଲେ

ସତ୍ୟ କ୍ଷମା ଦମ ଆଦି ଲକ୍ଷଣ ।

 

ଶାସନରେ ଥିବେ            କେତେ ଆତତାୟୀ

ବାଉରି ସାହିରେ ଥିବେ ବ୍ରହ୍ମଣ,

ଅଗଣିତ ଜାତି            ମଧ୍ୟରେ କାହାକୁ

କରିବେ ବ୍ରାହ୍ମଣ ବୋଲି ଗ୍ରହଣ ।

 

କି ନୀଚ୍ଚ କି ଉଚ୍ଚ            ସମସ୍ତ କରନ୍ତୁ

ବିଦ୍ୟାଶିକ୍ଷା ଜାତିନିର୍ବିଶେଷରେ,

ପ୍ରକୃତ ବ୍ରାହ୍ମଣ            ସଂଖ୍ୟା ବଢ଼ିଯାଇ

ଅବଶ୍ୟ ଉନ୍ନତି ହେଉ ଦେଶରେ ।

 

ବ୍ରାହ୍ମଣ ମଧ୍ୟରେ            ନ ରହୁ ବାରଣ

ଖାଦ୍ୟ ପାନ ଅବା ପରିଣୟରେ,

ହୁଅନ୍ତୁ ଝାଡ଼ୁଆ            ନତୁବା ପାନୁଆ

ଗୃହୀତ ହୁଅନ୍ତୁ ଗୁଣ କର୍ମରେ ।

 

ବିଲାତ ଭ୍ରମଣ            କରି ନିବାରଣ

ତ୍ୟାଗ ନ କରନ୍ତୁ ନିଜ ବିବେକ,

ଭାରତ-ଗହ୍ୱରେ            ହୋଇଣ ଆବଦ୍ଧ

ନ ବସନ୍ତୁ କୂପେ ଯେସନ ଭେବ ।

 

ଏହି ଦେଶାଚାର            କୁଳାଚାରଚୟ

କରେ ସମାଜକୁ କି କଦାକାର,

ଏକତା ବିନାଶି            ମନୁଷ୍ୟତା ଧ୍ୱଂସି

କରିବ ଭାରତ ଦିନେ ସଂହାର ।

 

ଉତ୍କଳମଉଳୀ            ସାମନ୍ତମଣ୍ଡଳୀ

ମୂକତିମଣ୍ଡପ ବିଜ୍ଞ-ମିହିର,

ଯୁକ୍ତି-ଜ୍ୟୋତିଦ୍ୱାରା            ପ୍ରକାଶନ୍ତୁ ଶାସ୍ତ୍ର

ହେଉ ଦୂର କୁସଂସ୍କାରତିମିର ।

 

ସମାଜ ମାନିଛି            ପଣ୍ଡିତ ସଭାକୁ,

ଦିଅନ୍ତୁ ତାହାକୁ ଯୁକ୍ତ ଆଦେଶ,

ଆଶାରେ ଚାହିଁଛି,            ଦେଖାନ୍ତୁ ଆଦର୍ଶ

କର୍ମକ୍ଷେତ୍ରେ ନିଜ କରି କ୍ଷମ ।

 

ଆପଣମାନେ ତ            ବୁଝନ୍ତି ନିଶ୍ଚିୟ

ଦେଶରେ ଅକ୍ଷମ ତ୍ରୁଟି ସକଳ,

ରକ୍ଷଣଶୀଳତା            ମୋହନମନ୍ତର

ବଶରେ ଅଛନ୍ତି ମୂଢ଼ କେବଳ ।

 

ଯଦିଚ ସ୍ମୃତିର            ପଦ୍ଧତି ପ୍ରାଚୀନ

ସମାଜରେ ଆଜି ନ ପାରେ ଚଳି,

ଭାବିଣ ଅବସ୍ଥା            କରନ୍ତୁ ବ୍ୟବସ୍ଥା

ଦୁରାଚାର ସବୁ ଯିବ ବଦଳି ।

 

ପୂରୁବ ଭାରତ            ହୋଇଛି ପତିତ

କର୍ପୂର ହରାଇ ରଖିଛି କନା,

ପ୍ରବଳ ବେଗରେ            କାଳସ୍ରୋତ ଚାଲେ

କା’ କ୍ଷମତା ତାକୁ କରିବ ମନା ।

 

ଦେଶ କାଳ ପାତ୍ର            ଚାହିଁ କଲେ କର୍ମ

ହେବଟି ଉନ୍ନତି ସର୍ବ ପ୍ରକାର,

କିନ୍ତୁ ଦେଶ କାଳ            ପାତ୍ରର ବିଚାର

ନ ହେଉ କୁତ୍ସିତ ସସୟାଚାର ।

 

ଦେଶ କାଳ ପାତ୍ର            ବିଚାର ଯଦିଚ

ହୁଅଇ ବିବେକ-ଅନୁପ୍ରାଣିତ,

ଚିନ୍ତାଶୀଳ ବ୍ୟକ୍ତି            ମାତ୍ରେ ବୁଝିଛନ୍ତି

ଦେଶର ଉନ୍ନତି ହୁଏ ନିଶ୍ଚିନ୍ତ ।

 

ପୁରୀକ୍ଷେତ୍ର ଯେବେ            ଲଭିଛି ଭାରତେ

ନୃତ୍ୟଶିକ୍ଷା ଜାତି କରି ବିନାଶ,

ଅସଂଖ୍ୟ ଯାତ୍ରୀଙ୍କ            ନିମନ୍ତେ ଯୋଗାଏ

ଅବଢ଼ାନ୍ନ ସେହି ପ୍ରବାସ ।

 

ଦୁଷ୍ଟ ଦେଶାଚାର            କୁରୀତି କବଳ

ଭ୍ରଷ୍ଟ ସମାଜକୁ କରି ମୋଚନ,

ଉତ୍କଳ ମଣ୍ଡଳେ            ମୁକତିମଣ୍ଡପ

ନିଜ ସାର୍ଥ ନାମ କରୁ ଜ୍ଞାପନ ।

 

ନାମ ଅନୁରୂପ            କରି ଯାନ୍ତୁ କାମ

ସଦାଶିବ ମହାମହୋପାଧ୍ୟାୟ,

ଉତ୍କଳ ଜାତିର            ତଥା ଭାରତର

ଉନ୍ନତି ନିମନ୍ତେ କରି ଉପାୟ ।

 

ଉତ୍କଳ ନିମନ୍ତେ            ଆପଣ ଅଛନ୍ତି

ସଦସ୍ୟ ଏସିଆ ସୋସାଇଟିର,

ପୁରାତନ ଗ୍ରନ୍ଥ            ସଙ୍କଳନ କରି

ରଖୁଛନ୍ତି ଖ୍ୟାତି ନିଜ ଜାତିର ।

 

ଶାସନୀ ବ୍ରାହ୍ମଣ-            ଠାରୁ ଗୁରୁତର

ଅଟଇ ଉତ୍କଳ ଜାତିର ଦାବୀ,

ଜାତିର ଉନ୍ନତି            ସାଧନ ନିମନ୍ତେ

ବ୍ୟବସ୍ଥା କରନ୍ତୁ ମନରେ ଭାବି ।

 

ଧର୍ମ ବା ସମାଜ            ଅବା ରାଜନୀତି

ସକଳ କାର୍ଯ୍ୟରେ ଏହି ନିୟମ,

କର୍ମବୀରମାନେ            ହେଲେ ତସ୍କରକ

ସ୍ୱଦେହେ ଭୋଗନ୍ତି କୁତ୍ସୀତ ।

 

ତଥାପି ବିବେକୀ            କର୍ମବୀରମାନେ

ସମାଜ କର୍ମକୁ ସଦା ନ ଡ଼ରି,

ହେଉ ପଛେ ନିଜ            ଶରୀର ପତନ

କର୍ତ୍ତବ୍ୟ କରମ ଯାଆନ୍ତି କରି ।

 

ମୁକତିମଣ୍ଡପ            ଅଛି ସୁବିଦିତ

ଉତ୍କଳ ଜାତିର ଇତିହାସରେ,

ତବ କୀର୍ତ୍ତ ତହିଁ            ଚିରକାଳପାଇଁ

ଲିଖିତ ରହିବ ସ୍ୱର୍ଣ୍ଣ ଅକ୍ଷରେ ।

 

ଅଜ୍ଞ ସାଧାରଣ            ନିନ୍ଦାକୁ ନ ଡରି

ପାଆନ୍ତୁ ସଂସ୍କାର କରି ସତ୍ୱର,

କେହି ମୂଢ଼ମତି            କଲେ ହେଁ ଆପତ୍ତି

ଅବଶ୍ୟ ସହାୟ ହେବେ ଈଶର ।

 

ସମ୍ପୂର୍ଣ୍ଣ