Unknown

ସୁଭଦ୍ରା

ଚିନ୍ତାମଣି ମହାନ୍ତି

ନିଖିଳସଦ୍‍ଗୁଣ-ବିଚକ୍ଷଣ, ମାତୃସାହିତ୍ୟସହାୟ, ସଜନପ୍ରିୟ

ମହୁଲପାଟଣା ଯୁବରାଜ ଶ୍ରୀ ଶ୍ରୀ ଶ୍ରୀ ଉମାଶଙ୍କରପ୍ରସାଦ ସିଂହଦେବ

ମହୋଦୟ ଉଦାରହୃଦୟେଷୁ

ଶ୍ରଦ୍ଧାସ୍ପଦ ଶ୍ରୀମନ୍‍ମହାଭାଗ,

ଶ୍ରୀଛାମୁଙ୍କର ସୌଜନ୍ୟ, ବିନୟ, ବିଦ୍ୟାବତ୍ତା ପ୍ରଭୃତିର ସୁଖ୍ୟାତି ଜନମୁଖରେ ଶ୍ରୂତ ହୋଇ ମୁଁ ପରମାପ୍ୟାୟିତ ହୋଇଅଛି । ଅଧିକନ୍ତୁ ଶ୍ରୀ ଛାମୁଙ୍କର ସାହିତ୍ୟ-ପ୍ରୀତି ମୋତେ ବିଶେଷଭାବରେ ସ୍ତବ୍‍ଧ ମୁଗ୍ଧ । ମୋର ବିଶ୍ୱାସ, ନବଯୁଗ ସାହିତ୍ୟ-ସାଧନାର ପୁଣ୍ୟ ମଙ୍ଗଳ ଉଷାକାଳରେ ଶ୍ରୀଛାମୁ ଉତ୍କଳ-ଭାଗ୍ୟରେ ବିଧାତାଙ୍କର ଆଶୀର୍ବାଦୀ ଫୁଲରୂପେ ଆବିର୍ଭୂତ ହୋଇଅଛନ୍ତି । ବିଧାତା ଯାହାଙ୍କୁ ଲୋକପାତ ରୂପେ ସର୍ଜନ କରନ୍ତି, ତାଙ୍କୁ ସମସ୍ତ ଆଦର୍ଶ ଗୁଣ ଦେଇ ପ୍ରେରଣ କରନ୍ତି । ସୁତରାଂ ବିଶ୍ୱହିତରୂପ କଠୋର ବ୍ରତାନୁଷ୍ଠାନ ବାସନା ତାହାଙ୍କ ଶକ୍ତିକୁ ସତତ ଉଦ୍‍ବୁଦ୍ଧ କରେ । କୁସୁମଜାତ ସୌରଭ କିମ୍ୱା ରତ୍ନଜାତ ରଶ୍ମିତୁଲ୍ୟ ଶ୍ରୀଛାମୁ ଉପଯୁକ୍ତ ପିତାଙ୍କର ଉପଯୁକ୍ତ ଗୁଣଧର ପୁତ୍ର । ଶ୍ରୀ ଛାମୁଙ୍କଦ୍ୱାରା ଜାତୀୟ ସାହିତ୍ୟର ଭବିଷ୍ୟତ୍‍ ସମ୍ୟକ୍‍ ଉଜ୍ୱଳ ହେବ, ଏ ରୂପ ଆଶା କରିବା ସତ୍ୟର ଅପହୃତି ନୁହେ । ରାଜକୁମାର ସୁଲଭ ବିଳାସବାସନା ପରିତ୍ୟାଗପୂର୍ବକ ଶ୍ରୀଛାମୁ ସାରସ୍ୱତାଶ୍ରମରେ କରୁଣ ଯୋଗୀ ସାହିତ୍ୟଚର୍ଚ୍ଚାରେ ଆତ୍ମନିଯୋଗ କରିଅଛନ୍ତି, ଏହା ସାମାନ୍ୟ ଶ୍ଲାଘାର କଥା ନୁହେଁ । ଶ୍ରୀଛାମୁଙ୍କର ଅପାର୍ଥବ ଗୁଣାବଳୀରେ ମୋହିତ ହୋଇ ମୁଁ ଏହି ‘‘ସୁଭଦ୍ରା’’ କାବ୍ୟ ଖଣ୍ଡି ଶ୍ରୀଛାମୁଙ୍କ ପବିତ୍ର କରକମଳରେ ପୀତ୍ୟୁପହାର ଅର୍ପଣ କଲି । ମହତ୍‍ଦୃଷ୍ଟିରେ କ୍ଷୁଦ ସୁଦ୍ଧା ମହତ୍‍ରୂପେ ପ୍ରତିଭାତ ହୁଏ । ଅତଃ ସମ୍ପୂର୍ଣ୍ଣ ଭରସା, ମୋର ଭରସା, ମୋର ଏହି ସାମାନ୍ୟ ଉପହାର ଶ୍ରୀଛାମୁରେ ଉପେକ୍ଷିତ ହେବ ନାହିଁ ।

 

ଇଚ୍ଛାପୁର,

୨୦/୦୨/୨୦

ଶ୍ରୀଛାମୁଙ୍କର

ଏକାନ୍ତ ସଦ୍‍ଗୁଣ ମୁଗ୍‍ଧ

ଶ୍ରୀ ଚିନ୍ତାମଣି ମହାନ୍ତି

 

 

ସୁଭଦ୍ରା

ପ୍ରଥମ ସର୍ଗ

 

ସ୍ୱାଗତ କଳ୍ପନାଦେବି, ଭାରତୀ-ତନୁଜା,

ଭାବ-ମାତା, ଅଣାକାରା ଅନାଦି ଅନନ୍ତା,

କାଖେଇ ନିର୍ବୋଧ ସୁତେ ଜନନୀ ଯେସନ

ଘେନି ଯାଇ ଯାତ୍ରାସ୍ଥଳେ, ଦେଖାଏ ତାହାକୁ

 

ଯାତ୍ରା, ଅନ୍ତରାଳେ ରହି, ତେସନ ଗୋ ମାତଃ,

ଘେନି ଏ ସେବକେ ତୁମ୍ଭେ ଚାଲ ଦୟାମୟୀ

ଅତୀତର ରଙ୍ଗାଳୟେ, ଲାଗିଅଛି ଯହିଁ

ଭଦ୍ରାର୍ଜୁନ ବିବାହର ପୁଣ୍ୟ ଅଭିନୟ,

 

ଦେଖିବାକୁ ଶୋଭା ସଙ୍ଗେ ଶୌଯ୍ୟର ବିବାହ

ଏକାନ୍ତ ଆଶାୟୀ ଦାସ, ନ ବଳେ କା ଆଶା

ଦର୍ଶନେ ପଦ୍ମିନୀ ସହ ରବିର ବିବାହ

ପ୍ରାତେ, କିମ୍ବା ଫୁଲ ସହ ମତ୍ତ ମଧୁପର ।

 

ଅତଃ ଦେବି, ଆସ ତ୍ୱରା ଅବାଧଗାମିନୀ,

ଘେନି ଏ ସନ୍ତାନେ କୋଳେ ଚାଲ ଯଥାସ୍ଥାନେ ।

ରୈବତକ, ରତ୍ନାକର ମଧ୍ୟେ ହାରାବତୀ -

ଭାରତର ପୁଣ୍ୟତୀର୍ଥ-ଜ୍ଞାନବିଜ୍ଞାନର,

 

ହସେ ଯଥା ପିତୃ ଅଙ୍କେ ଭମା-ଗିରୀନ୍ଦ୍ରଜା,

କିମ୍ବା ରମା-ଇନ୍ଦୁମୁଖୀ, ବାରୀନ୍ଦ୍ରଦୁହିତା,

ଅବା ହସେ ଅର୍ଦ୍ଧ ଉମା ଅର୍ଦ୍ଧ ରମା ମୂର୍ତ୍ତି

ଶୈକେଶ ଜକେଶ କୋତେ । କିବା ସେ ନଗରୀ

 

ନବ ରାଜସଂସ୍କରଣ ଅମରାବତୀର,

ଅଥବା ଏସନ ପ୍ରତେ-ସୁଷମା-ସ୍ୱର୍ଗର

ଅମୂଲ୍ୟ ଅଦୃଷ୍ଟପୂର୍ବ ସୁନ୍ଦର ମଣି ସେ ।

ଭାରତେ ସେ ମୁକ୍ତିତୀର୍ଥ, ବୀରତୀର୍ଥ ପୁଣି,

 

ବୀରଦର୍ପେ ବୀରବିର୍ଯ୍ୟେ ଗଠିତ ତା ରେଣୁ,

ଚନ୍ଦ୍ରକଳ୍ପ ଏ ଭାରତ-ଅମୃତ-ଆଧାର,

ଦ୍ୱାରିକା ସେ ଚନ୍ଦ୍ର ଅଙ୍କେ ସୁନ୍ଦରୀ ଚନ୍ଦ୍ରିକା ।

ମହାଶକ୍ତି-ପ୍ରସ୍ତୁତି ସେ ଶକ୍ତିମତୀ ଦେବୀ,

 

ରୈବତକ-ଶିରେ ତାର ମାରାଗମହୁଡ଼,

ସିନ୍ଧୁ-ତା ଚରଣାମୃତପୂର୍ଣ୍ଣ ସ୍ୱର୍ଣ୍ଣକୁଣ୍ଡ ।

ଭ୍ରାନ୍ତ ହୁଏ ଆଗନ୍ତୁକ ସେ ରାଜ୍ୟେ ପ୍ରବେଶି,

ଭାବେ ଏହା ସ୍ୱପ୍ନପୁରୀ, ନା, ସତ୍ୟ ନଗରୀ,

 

କିମ୍ବା ଅର୍ଦ୍ଧ ସ୍ୱପ୍ନ, ଅର୍ଦ୍ଧ ସତ୍ୟ ସମାବେଶ,

ଅଥବା ସ୍ୱପନ ସତ୍ୟ ବେନିରୁ ବାହାର

ଅନ୍ୟ କିଛି, ସମ୍ଭବେ କି ଏଭଳି ତ୍ରିଦିବ

ଅତ୍ରିଦିବେ, ଭାବି ଏହା ହୁଏ ସ୍ତବ୍‌ଧ ମୁଗ୍‌ଧ ।

 

ଯେ ପୁରୀ ଅଦ୍ୱୈତ ଶିଳ୍ପୀ ବିଶ୍ୱବିନ୍ଧାଣିଙ୍କ

ସ୍ୱହସ୍ତରଚିତ, କାହିଁ ଉପମା ତାହାର,

ଉପମାର ଜନନୀ ସେ-ସୁଷମାଜନନୀ ।

ଆଦର୍ଶ ମାନବ ଯେହୁ, ଆଦର୍ଶ ଦେବତା,

 

ପୁଣି ଯେ ଆଦର୍ଶ ଯୋଗୀ, ଆଦର୍ଶ ସଂସାରୀ,

ରାଜତ୍ୱ ପ୍ରଜାତ୍ୱ ବୀର୍ଯ୍ୟ ଆଦର୍ଶ ଯାହାର,

ଆଦର୍ଶ ପ୍ରେମିକ ପୁଣି ଆଦର୍ଶ ଧାର୍ମିକ,

ଅଧିକନ୍ତୁ ଆଦର୍ଶର ଆଦର୍ଶ ଯେ ଭବେ,

 

ସେହି ବୃଷ୍ଣିକୁଳୋଷ୍ଣୀଷ କୃଷ୍ଣଚନ୍ଦ୍ରଙ୍କର

ଯେ ଆଦର୍ଶ ରାଜଧାନୀ, କେ ବର୍ଣ୍ଣିବ ତାର

ବିରାଟ ମହିମା ଗାଥା-ଅନନ୍ତ ସୌନ୍ଦର୍ଯ୍ୟ ।

ସାଗର-ମୁକୁରେ ମୁଖ ଦେଖେ ସେ ନଗରୀ,

 

କି ସୁନ୍ଦର ପ୍ରତିଚ୍ଛାୟା, ପ୍ରତେ ହୁଏ ଯେହ୍ନେ

ନିଜ ଅନୁରୂପ ପୁରୀ ନ ଦେଖି ଏ ପୁରୀ

ସ୍ୱର୍ଗେ ମର୍ତ୍ତେ, ଖୋଜିବାକୁ ପଶିଛି ପାତାଳେ,

ହିଲ୍ଲୋଳକମ୍ପନ ଛଳେ ସଞ୍ଚାଳି ମସ୍ତକ

କହୁଛି ବା ନାହିଁ ନାହିଁ ମୋ ସମାନ ।

 

ବିପଣୀବୀଥିକା, ହର୍ମ୍ୟ, ମଣିରେ ଭାସ୍ୱର,

ହୁଏ କକ୍ଷ ଆଲୋକିତ ଦୀପାଲୋକ ବିନା

ଜ୍ୟୋତିଷ୍କମଣିରେ ରାତ୍ରେ, ନାହିଁ ସେ ନଗରେ

ଦାରିଦ୍ର୍ୟ, ବିପଦ, ବ୍ୟାଧି, ମିଥ୍ୟା, ପ୍ରବଞ୍ଚନା,

 

ଅଛି ସତ୍ୟ, ନ୍ୟାୟ, ଧର୍ମ, ଦୟା, ପ୍ରୀତି, ଶାନ୍ତି,

ନାହିଁ ତହିଁ ଅପରାଧୀ, ତେଣୁ ନିରସ୍ତଙ୍ଗ

ରାଜଦଣ୍ଡନୀତି ସିନ୍ଧୁ, ନାହିଁ ଚୌରଭୀତି,

କିମ୍ବା ଶତ୍ରୁଭୀତି, ରାମରାଜ୍ୟ ପ୍ରଜା ପ୍ରାୟ

 

ନିବସନ୍ତି ନାଗରିକେ ସୂଖାନନ୍ଦେ ବୁଡ଼ି ।

ଗିରିବର ରୈବତକ ଉଭା ସିନ୍ଧୁତୀରେ

ତୋଳି ଶୂନ୍ୟେ ସାନୁ, ଘନଲେହି, ଉଭା କିବା

ନିର୍ବିକାର ବ୍ରହ୍ମଦର୍ଶୀ ଉଲଗ୍ନ ସନ୍ୟାସୀ

 

ନିଜରୂପେ ନିଜେ ହୋଇ ମୁଗ୍‌ଧ ସ୍ତମ୍ଭୀଭୂତ,

ସିନ୍ଧୁଧୂମ କଳେବରେ ଭୂଷଣ ବିଭୂତି ।

ସତ୍ୟ ସେ ପ୍ରକୃତି-ମାତା ଅଲେଳ ଦୁଲାଳ,

ଭାଗ୍ୟଧନ୍ୟ, ମାତୃଅଙ୍କେ ସମାଧିସ୍ଥ ସୁଖେ,

 

କିମ୍ବା ଯଦୁବଂଶ କୀର୍ତ୍ତି ପର୍ବତ ଆକାରେ

ଯାଇଛି ବହୁଳେ ବସି, ଉଦ୍ଭାସି ଚୌଦିଗ

ମହିମା ମୟୂଖଜାଳେ, ମିଶାଇ ନୀଳିମା

ଅନନ୍ତ-ନୀଳିମାମୟ-ସିନ୍ଧୁ ନୀଳିମାରେ ।

 

ଶୋଭେ ସ୍କନ୍ଦେ ସରସ୍ୱତୀ-ଲୋହିତସଲିତା,

ଯଥା ପଟ୍ଟ ଉତ୍ତରୀୟ, ଚାରୁଧାରା ତାର

ଶୀତଳ, ପବିତ୍ର, ମୃଦୁ, ଆହା ସେ ଯେସନେ

ଋଷିକଣ୍ଠବିନିଃସୃତ ପୁଣ୍ୟ ବେଦଧାରା ।

 

ଦ୍ୱାରାବତୀ କୃଷ୍ଣଙ୍କର ନବ ବୃନ୍ଦାବନ,

ରୈବତକ-ଗୋବର୍ଦ୍ଧନ କ୍ରୀଡ଼ାମହୀଧର,

ସାଗର-କାଳନ୍ଦୀ ହ୍ରଦ, ଖେଳେ ବକ୍ଷେ ତାର

କରାଳ ଲହରୀରୂପ ସଗୋଷ୍ଠୀ କାଳୀୟ

 

ତୋଳି ଫଣା ଶତ ଶତ ଲକ୍ଷ ଲକ୍ଷ କୋଟି,

ଗର୍ଜି ରୋଷେ ଫେନ ଛଳେ ଉଗାରେ ଗରଳ,

ଯହିଁ କୃଷ୍ଣ, ତହିଁ ଗୋପ, ତହିଁ ବୃନ୍ଦାବନ ।

ଉଭା ହୋଇ ଗିରିପଦେ ନବିନା କିଶୋରୀ

 

ଏକ, ନିର୍ନିମେଷନେତ୍ରେ ଦେଖୁଛି ସୂର୍ଯ୍ୟାସ୍ତ

ଦୂର ସିନ୍ଧୁ ଚକ୍ରବାଳେ, କି ମଧୁର ମୂର୍ତ୍ତି,

ପୁଣ୍ୟର ସୁବର୍ଣ୍ଣ ମୂର୍ତ୍ତି କିବା ସେ ରୂପସୀ,

କିମ୍ବା ଜ୍ୟୋତ୍ସ୍ନାଲତାଫୁଲ-ଦିବ୍ୟ ସୁଷମିତ,

ଅଥବା କୁସୁମ-ସିନ୍ଧୁ-ମନ୍ଥନଜା ରମା ।

 

ନତୁବା ସେ ନାରୀମୂର୍ତ୍ତି-ଶୋଭା ମହିମାର,

ଅବା ସୁଷମାର ରମ୍ୟ ଭାଷାବତୀ ଭୂଷା ।

ବିମ୍ବୋଷ୍ଠୀର ଓଷ୍ଠାଧର ଉପମା ସୃଷ୍ଟିରେ

ଘଟାଇଛି ହାହାକାର, କାହୁଁ ଲକ୍ଷ୍ୟ ହେବ

 

ଶୋଭା-ସମୁଦ୍ରର ସ୍ଥିର ପ୍ରବାଳ ତରଣୀ,

ପୁଷ୍ପାଧରେ ପୁଷ୍ପହାସ, ଆହା କି ରୁଚିର,

କରିଛି କି ଆଲିଙ୍ଗନ କୁସୁମେ କୁସୁମ ?

କି ସୁନ୍ଦର ମୁଖ, ଚାରୁ ଚାଙ୍ଗୁଡ଼ିରେ ଏକ

 

ଥୁଆ କି ବିବିଧ ଫୁଲ-ତିଳ, ନୀଳୋତ୍ପଳ,

କେତକୀ, ପାଟଳୀ, ଜବା, କୁନ୍ଦକଳିକାଦି ।

ସ୍ୱଭାବେ ବଦନ ଆଭା ଚଟୁଳ ଉଜ୍ଜ୍ୱଳ,

କରୁଛି ଦୁଣିତ ତାକୁ ଅସ୍ତରବି-ପ୍ରଭା ।

 

ଶୋଭେ ସ୍ୱର୍ଣ୍ଣଅଙ୍ଗଯଷ୍ଟି ଗୈରିକ ବସନେ,

ବାଳତପସ୍ୱନୀ ବାଳା, ଚାରୁ ମଣିବନ୍ଧେ

ରତ୍ନର ବଳୟ ଶୋଭେ, ଶୂନ୍ୟ ଅନ୍ୟ ଅଙ୍ଗ,

ମାତ୍ର ସେ ଶୂନ୍ୟତା ଏକା ଶୋଭାକୁ ତାହାର

 

କରିଛି ପୂର୍ଣ୍ଣତା ଦାନ, ପୁଣି ପ୍ରାଣଦାନ,

ବଢ଼ାଇଛି ସେ ଶୂନ୍ୟତା ଶୋଭାର ଗୌରବ ।

ଦେଖୁଛି କିଶୋରୀ ମୁଗ୍‌ଧ ଅପଲକ ନେତ୍ରେ

ଅସ୍ତୋନ୍ମୁଖ ରବିଚ୍ଛବି, ତ୍ରିଦିବ-ଦୁର୍ଲଭ,

 

କ୍ରମେ କ୍ରମେ ସିନ୍ଧୁଜଳେ ବୁଡ଼ାଇ ଶରୀର

ହେଲେ ରବି ଅର୍ଦ୍ଧମଗ୍ନ, ପଦ୍ମରାଗତରୀ

ଭାସେ କି ଲେଉଟି ପଡ଼ି ପାରାବାର-ତୀରେ ।

ବୁଡ଼ିଗଲେ ଦିନମଣି ଦେଖୁଁ ଦେଖୁଁ ତ୍ୱରା,

 

ବୁଡ଼ିଯାଏ ତ୍ୟାଗ ଯଥା ବାସନା-ସାଗରେ,

ଧରିଲା ବାରୁଣୀ-ରାଣୀ ଶବଳିତ ଛବି,

କଲା ତାକୁ ଅନୁକୃତି ଅନନ୍ତ ବାରିଧି,

ବେଶ ପରେ ବେଶ ପୁଣି ତହିଁ ପରେ ବେଶ,

 

ଲାଗିଲା ପରିବର୍ତ୍ତନ ବେଶର କେବଳ

ଉଭୟର, ଯେହ୍ନେ ବେନି ନିରତ ଅଖଣ୍ଡ-

ପ୍ରତିଯୋଗିତାରେ, ବ୍ୟସ୍ତପ୍ରାଣେ, ବ୍ୟସ୍ତମନେ ।

ପ୍ରକୃତି ଶୋଭାରେ ଆଜି ତନ୍ମୟ ସୁନ୍ଦରୀ,

 

ନିଶ୍ଚଳ ନିସ୍ପନ୍ଦ ଦେହଯଷ୍ଟି, ଦୃଷ୍ଟି ସ୍ଥିର,

ଏ କି ଯୋଗ ବାଳିକାର, ଏ କି ମହାଲୟ,

ଯେମନ୍ତ କି ସର୍ବ ଅଙ୍ଗପ୍ରତ୍ୟଙ୍ଗ ତାହାର

ପରିଣତ ହୋଇ ନେତ୍ରେ, ରହିଛି ଅଟକି

 

ସାନ୍ଧ୍ୟ ସିନ୍ଧୁ ପ୍ରକୃତିର ମୋହନ ବିନୋଦେ,

ଛଡ଼ାଇଲେ ବଳେ ସୂଦ୍ଧା ଆସୁ ନାହିଁ ଛାଡ଼ି ।

ମଧୁର ସୌରଭମୟ ସାନ୍ଧ୍ୟ ସମୀରଣ

ପବିତ୍ରତାବୋଳା, ଯଥା ଦେବତାନିର୍ମାଲ୍ୟ,

 

ବହୁଅଛି ଧୀରେ ଗୌଣେ, ସୃଜି ବାଳାକେଶେ

କୃଷ୍ଣକେତୁ, ଭୃଙ୍ଗମାଳ, ବାରିଦ ଉପମା ।

ବିଞ୍ଚୁଅଛି କିଶୋରୀକି ଧୀରେ ସମାଦରେ

ଶ୍ୟାମା ଅରଣ୍ୟାନୀ, ଶ୍ୟାମ ଶୀତଳ ଅଞ୍ଚଳେ,

 

କ୍ଷଣେ କ୍ଷଣେ ବୀଚି-କର ଯୋଡ଼ି ରତ୍ନାକର

ଯାଉଛି ପ୍ରଣମି ଆସି ପାବନ ପୟରେ,

ଉଦେ ହେଲେ ନଭେ ଆସି ପର୍ବ-ଶର୍ବରୀଶ,

ମାତ୍ର କାହା ପ୍ରତି ନାହିଁ ଭ୍ରୁକ୍ଷେପ ବାଳାର,

ଏକ ମହାଭାବେ ମଗ୍ନ ସେହୁ ପୂର୍ବାପର ।

 

ଦେଖୁଛି ସେ ଦୃଶ୍ୟପଟେ ଅବା ବାଳାମଣି

ଭାବୀ ଜୀବନର ଚିତ୍ର, ଅଥବା ପଢ଼ୁଛି

ଅତୀତର ଇତିହାସ, କେ କହିବ ତାହା,

ଏକାଳେ ଶୁଭିଲା ଶବ୍ଦ-‘‘ସୁଭଦ୍ରା, ସୁଭଦ୍ରା’’,

 

ନ ଭାଙ୍ଗିଲା ତେବେ ଧ୍ୟାନ, କି ଅଭଙ୍ଗ ଯୋଗ

ପ୍ରବେଶ ମୁହୁର୍ତ୍ତ ପରେ ନାରୀମୂର୍ତ୍ତି, ନା, ନା, ।

ଦେବୀମୂର୍ତ୍ତି, ରୁପରାଜ୍ୟେ ରାଜରାଜେଶ୍ୱରୀ,

ଲାବଣ୍ୟପ୍ରତିମା, ଦେହେ ନ ଧରି ଲାବଣ୍ୟ

 

ପଡ଼ୁଛି ଉଛୁଳି, ପ୍ରତେ ଗାମ୍ଭୀର୍ଯ୍ୟୁ ଏସନ-

ମହାବଂଶେ ମହା ଅଂଶେ ଜନ୍ମିଛି ମହିଳା,

ବଦନୁ ଆଭାସି ଉଠେ ମହତ୍ତ୍ୱ-ମହିମା,

ହାସ ଯଥା ପୁଷ୍ପବୀଚି ରୂପରତ୍ନାକରେ;

 

ସ୍ନେହାମୃତେ ଢକ ଢକ କୁରଙ୍ଗନୟନ ।

ମାତୃତ୍ୱର-ଦେବୀତ୍ୱର ପବିତ୍ର ପ୍ରଲେପେ

ଲିପ୍ତ ଦୀପ୍ତ ଭାଲପଟ-ତପ୍ତ ହେମବିଭ,

କରୁଣାର ମନ୍ଦାକିନୀ ଝରୁଛି ଅଧରୁ ।

 

ଆସି ଦେବୀ ପୃଷ୍ଠଭାଗ, ବେନି କମକରେ

ଧଇଲେ ସେ କିଶୋରୀର ନୟନ ଆଚ୍ଛାଦି,

ସମୃଣାଳ କୋକନଦ ଇନ୍ଦୀବର ପରେ

ଢଳିପଡ଼ି ଢାଙ୍କିଦେଲା ସୁଷମା ତାହାର ।

 

ପରଶେ ତରୁଣୀ ହସ୍ତ, ଭାଙ୍ଗିଗଲା ଧ୍ୟାନ

କିଶୋରୀର, କହିଲା ସେ ଧୀରେ ସ୍ମିତହାସ୍ୟେ-

‘‘ଛାଡ଼ ଛାଡ଼, ଚିହ୍ନିଲିଣି ସତ୍ୟଭାମା ଦେବୀ,

ରଙ୍ଗମୟୀ ବିନା ଆଉ କାହାର ଏ ରଙ୍ଗ ।’’

 

ହସି ତହୁ ନବାଗତା କହିଲେ-‘‘ସୁଭଦ୍ରେ,

କିପରି ଚିହ୍ନିଲ ମୋତେ ?’’ ‘‘ଚିହ୍ନିଲି କିପରି’’

ଉତ୍ତରିଲେ ଭଦ୍ରା-‘‘ତଦ ଶ୍ରୀକର ପରଶୁ,

ପାପଧରାବିହାରିଣୀ ନାରୀହସ୍ତ କେବେ

 

ହେବ ନାହିଁ ଗୋସାମଣି, ଏଡ଼େ ଶାନ୍ତିପ୍ରଦ

ଅଥବା ଶୀତଳ ଏଡ଼େ, ଦେବୀହସ୍ତ ବିନା ।’’

ବାଧା ଦେଇ ସତ୍ୟଭାମା, ପଚାରିଲେ ସ୍ନେହେ-

‘‘କେଉଁ କାର୍ଯ୍ୟେ ଜେମାମଣି ଏକାକିନୀ ଏଥି ?’’

 

ଭାଷିଲେ ସୁଭଦ୍ରା ‘‘କିଛି କାର୍ଯ୍ୟନୁହେଁ ବହୁ !

ଦେଖୁଥିଲି ପ୍ରକୃତିରେ ମହାପୂଜା ଏଥି,

ଏ ଅନନ୍ତ ସିନ୍ଧୁ-ଚିର ତରଙ୍ଗାକୁଳିତ,

ରତ୍ନ ଗନ୍ତାଘରରକ୍ଷୀ-ରାଜରାଜେଶ୍ୱରୀ

ଭାରତମାତାର, ନିତ୍ୟ ପୂଜାରୀ ଗିରିର ।

 

ଢାଳିଦେଇ ଫେନପୁଷ୍ପ ଅଞ୍ଜଳି ଅଞ୍ଜଳି

ରୈବତକ ପୁଣ୍ୟପଦେ, ଗାଇ ଗାଇ ସ୍ତବ

ଯାଉଛି ପଛକୁ ଘୁଞ୍ଚି, ଲଭି ପରିତୃଷ୍ଟି

ଭକ୍ତିରେ ତାହାର ଗିରି, କରେ ଆଶୀର୍ବାଦ

 

ଗୁହାମୁଖେ । ହାସ୍ୟମୟ ବିଶ୍ୱଚରାଚର,

ଜ୍ୟୋତ୍ସ୍ନାମୃତେ ସ୍ନାନ କରି ରୈବତ ଶିଖରୀ

ପ୍ରକାଶୁଛି ଟହ ଟହ ନିର୍ବାକ ସୁହାସ,

ହସୁଅଛି ବେଳା-ସିନ୍ଧୁବାନ୍ଧବୀ ସୁନ୍ଦରୀ,

 

କି ସୁନ୍ଦର, କି ଉଦାର, କୌମୁଦୀର କ୍ରୀଡ଼ା

ବେଳାବକ୍ଷେ, ଆଲୋକିତ ବେଳାବକ୍ଷ ତହିଁ,

ଆଲୋକିତ ସତ୍ୟବକ୍ଷ ପୁଣ୍ୟଲୋକେ ଯଥା,

କିମ୍ବା ଯଥା ତପୋବୃତ୍ତି ଆଲୋକିତ ତ୍ୟାଗେ ।’’

 

‘‘ଥାଉ ଥାଉ କବିବରେ ! କବିତା ରଚନା-’’

କହିଲେ ସସ୍ନେହେ ଦେବୀ କୃଷ୍ଣପ୍ରଣୟିନୀ -

‘‘ହେଲାଣି ଯଥେଷ୍ଟ, ଏବେ ହେଉ ସର୍ଗ ସାଙ୍ଗ,

ଯଥା ଭ୍ରାତା, ତଥା ଭଗ୍ନୀ, ବିଶ୍ୱ ମହାକବି

 

ଭ୍ରାତା ଯାର, ଏ ଅନନ୍ତ ଅଖଣ୍ଡ ବ୍ରହ୍ମାଣ୍ଡ

ଯାହାଙ୍କର ମହାକାବ୍ୟ, ଯାହାଙ୍କ କବିତା

ହେଉଛି ଧ୍ୱନିତ ସଦା ବିଶ୍ୱ ପ୍ରାଣେ ପ୍ରାଣେ,

ଅମର ଯେ କବି, ଯାଙ୍କ କବିତା ଅମୃତ,

 

ତାଙ୍କ ଭଗ୍ନୀ, ତାଙ୍କ ଶିଷ୍ୟା, ନ ହେବ କିପାଇଁ

କାବ୍ୟକତା-ବିନୋଦିନୀ, କବିତାକୁଶଳା,

ଭଗ୍ନୀ ହୃଦେ ଭ୍ରାତୃଗୁଣ ଅଛି ପ୍ରତିଫଳି ।

ଚାଲ ଏବେ ଜେମାଦେଈ, ଭ୍ରାତାଙ୍କ ଆଦେଶ-

 

ମଣ୍ଡାଇବା ରୈବତକ ପ୍ରମୋଦ-ଭବନ,

ବିଜେ ହେବେ କାଲି ତହି ରଥୀନ୍ଦ୍ର ଅର୍ଜୁନ,’’

ଏହା କହି ବାହାରିଲେ ସୁଭଦ୍ରାକୁ ଘେନି ।

ପ୍ରେମଭରେ ପରସ୍ପରେ ସ୍କନ୍ଧେ ଛନ୍ଦି ହସ୍ତ

 

ଚାଲିଲେ ବେନିଏ-ଯଦୁବଧୂ ଯଦୁକନ୍ୟା,

ଅର୍ଦ୍ଧସ୍ଫୁଟ ସରୋଜିନୀ, ଫୁଲ୍ଲ ସରୋଜିନୀ,

ହୋଇଛି କି ଛନ୍ଦାଛନ୍ଦି ମୃଣାଳେ ମୃଣାଳେ,

ପାଟଳବସନା ଭଦ୍ରା, ସତୀ ସତ୍ୟଭାମା

 

ପୀତଦୁକୁଳିନୀ, ଆହା, କି ବରମାଧୁରୀ,

ଜଡ଼ିତ କି ବିଦ୍ୟୁଲ୍ଲତା ପ୍ରବାଳ- ଲତାରେ !

ସତ୍ୟଭାମା ମୁଖୁ ଶୁଣି ଅର୍ଜୁନର ନାମ

କୃଷ୍ଣାନୁଜା, ହୃଷ୍ଟ ହୋଇ ପୁଛିଲା ସାଗ୍ରହେ -

 

‘‘କିଏ ସେ ଅର୍ଜୁନ ଦେବି, କି କୃତିବନ୍ତ ସେ ?

ଭାଇ ତ କହନ୍ତି ସଦା-ଅର୍ଜୁନକୁ ଘେନି

କରିବେ ସେ ଧର୍ମରାଜ୍ୟ ସ୍ଥାପନ ଭାରତେ,

ଅର୍ଜୁନ ତାଙ୍କର ସଖା, ପ୍ରିୟତମ ଶିଷ୍ୟ,

 

ଅଦ୍ୱିତୀୟ ଭକ୍ତ, ପୁଣି ପାର୍ଥ ପୂର୍ଣ୍ଣନର,

ଅର୍ଜୁନ ନିଷ୍କାମଧର୍ମୀ, ଯୋଗୀ, ଆତ୍ମଞ୍ଜୟ,

ବିଷ୍ଣୁ, ଜିଷ୍ଣୁ ମୂର୍ତ୍ତିଭେଦ, ମାତ୍ର ଏକ ଆତ୍ମା ।’

‘‘କେବଳ ଏକାତ୍ମା ନୁହେଁ ସୁଭଦ୍ରା !’’ ଭାଷିଲେ

 

ସତ୍ରାଜିତକନ୍ୟା-‘‘ଏକରୂପ, ଏକବୟଃ,

ଏକପ୍ରାଣ, ସମ୍ବନ୍ଧରେ ଭାଇ ତବ ପାର୍ଥ-

ପିତୃସ୍ୱସା-ସୁତ, ବିଶ୍ୱେ ଏକମାତ୍ର ବୀର ।

ଏକା ପାଥ ଲକ୍ଷେ ରାଜା ଜିଣି ବାହୁବଳେ

 

ବିଭେଦି ଅଦ୍ଭୁତ ଲକ୍ଷ୍ୟ, ଲଭିଲା ଦ୍ରୌପଦୀ

ସ୍ୱୟମ୍ବର ସ୍ଥଳେ, ପୂର୍ବେ ପାଞ୍ଚାଳ ନଗରେ ।

ଇନ୍ଦ୍ରପ୍ରସ୍ଥନିବାସୀ ସେ ପଣ୍ଡୁରାଜାସୁତ,

ପଣ୍ଡୁଙ୍କର ପାଞ୍ଚ ପୁତ୍ର ସ୍ୱଧର୍ମାନୁରାଗୀ,

 

ଅନୁରକ୍ତ ଭକ୍ତ ତବ ଭ୍ରାତୃଦେବଙ୍କର,

ତୃତୀୟ ପାଣ୍ଡବ ପାର୍ଥ, ତୁମ୍ଭ ଭ୍ରାତା ଯଥା

ଦେବ ମଧ୍ୟେ ଅଦ୍ୱିତୀୟ, ତଥା ଧନଞ୍ଜୟ

ନର ମଧ୍ୟେ ଶ୍ରେଷ୍ଠାଦର୍ଶ, ତାହାଙ୍କ ସାହାଯ୍ୟେ

 

ସଂସ୍ଥାପିବେ ଧର୍ମରାଜ୍ୟ ଅଗ୍ରଜ ତୁମ୍ଭର ।

ଭୀମ ପାପବନ୍ୟା ସହ ଆସୁରିକ ବଳ

ଗ୍ରାସୁଛି ଭାରତେ, କୁରୁଗ୍ଲାନି ଦୁର୍ଯ୍ୟୋଧନ,

ଜରାସନ୍ଧ, ଶିଶୁପାଳ ଆଦି ଦୃଷ୍ଟ ନୃପେ

 

କ୍ଷତ୍ରକୂଳ-ଧୂମକେତୁ, ରାଜରୁପୀ ପଶୁ,

କରୁଛନ୍ତି ଧର୍ମରାଜ୍ୟେ ବିଷମ ଉତ୍ପାତ,

ଘଟିବ ସେ ପାପୀଙ୍କର ଆଶୁ ତିରୋଧାନ ।’’

‘‘କିପାଇଁ ବିଳମ୍ୱ ତେବେ ଧ୍ୱଂସରେ ତାଙ୍କର ?’’

 

ପୁଚ୍ଛିଲେ ସୁଭଦ୍ରା, ‘‘ଆସି ନାହିଁ ସେ ସମୟ,’’

ଉତ୍ତରିଲେ ଦେବୀ, ‘‘କଲେ ଅସମୟେ କାର୍ଯ୍ୟ

ଘଟିବ ନିକର ବହୁ ଜନକ୍ଷୟ, ହେଲେ

ବୃଥା ଲୋକକ୍ଷୟ- ହେଲେ ଧରା ନିର୍ମାନବ,

 

ଧର୍ମରାଜ୍ୟ ସଂସ୍ଥାପନ କା ଲାଗି ସୁଭଦ୍ରା ?

ଅସ୍ତ ହେଲେ ରବି, ଯଥା ଲୁଚନ୍ତି କୁଲାୟେ

ଶିଷ୍ଟ ବିହଙ୍ଗମକୁଳ- ଶୁକ ପିକ ଆଦି,

ପେଚକ, ଘୁଟୁରୁଘୁମା, ଅମଙ୍ଗଳ ପକ୍ଷୀ

 

ଜୀବଘାତୀ, ଧରାତଳେ କରନ୍ତି ରାଜତ୍ୱ,

ଦେଖି ତଥା କ୍ଷୀଣ, ମ୍ଳାନ, ଧର୍ମ-ଦୀପଶିଖା,

କରୁଛନ୍ତି ଅତ୍ୟାଚାର ଦୁଷ୍ଟ ନୃପଗଣ ।

ଶିଷ୍ଟେ ଭୟେ ନତଶିର, ଯନ୍ତ୍ରଣାଜର୍ଜର,

 

ମଲେ ଦୁଷ୍ଟେ, ଧର୍ମରାଜ୍ୟ ହେବ ସଂସ୍ଥାପିତ ।

ନ ଦେଲେ ଉପାଡ଼ି କ୍ଷେତ୍ରୁ ବାଳୁଙ୍ଗା ସମୂଳେ-

ଧାନ୍ୟଶତ୍ରୁ, ଧାନଗଚ୍ଛ ଲଭିବ କି ବୃଦ୍ଧି ?’’

‘‘ଏହା କି ଅର୍ଜ୍ଜୁନଦ୍ୱାରା ସାଧିବେ ଅଗ୍ରଜ ?’’-

 

ପୁଚ୍ଛିଲେ ବିସ୍ମୟେ ଭଦ୍ରା, ‘‘ହଁ, ଅର୍ଜ୍ଜୁନଦ୍ୱାରା,’’

ଉତ୍ତରିଲେ ସତ୍ୟଭାମା, ତହୁଁ ଯଦୁ-କନ୍ୟା

ଦ୍ୱିଗୁଣ ବିସ୍ମୟ ଲଭି ଭାଷିଲେ ଏସନ-

‘‘ଭ୍ରାତାରୁପୀ ନାରାୟଣ ସର୍ବଶକ୍ତିମାନ,

 

ତାଙ୍କର ସହାୟ ଲୋଡ଼ା, ଅସମ୍ଭବ ଅତି,

ଧର୍ମରାଜ୍ୟ ସଂସ୍ଥାପନ ତାହାଙ୍କ ଶକ୍ତିର

ଅସାଧ୍ୟ କି ଦେବି ?’’ ‘‘ନୁହେଁ ଅସାଧ୍ୟ ସୁଭଦ୍ରା’’

ସସ୍ମିତେ କହିଲେ ଦେବୀ, ବୀଣାନିନ୍ଦୀ ସ୍ୱରେ-

 

‘‘ନ ମିଶିଲେ ନୀତିସଙ୍ଗେ ଶୌର୍ଯ୍ୟ, ହେବ ନାହିଁ

ସତ୍ୟର ଉଦ୍ଧାର, ସଖି, ଶୁଣ ଅବହିତେ,

ବସନ୍ତ, ବସନ୍ତସଖା-ମଳୟ ଅନିଳ

ଦୁହିଙ୍କ ଶକ୍ତିରେ ସିନା ଜନ୍ମେ ପିଚୁମର୍ଦ୍ଦେ

 

ବିଶୁଦ୍ଧ ଶୀତଳ ସ୍ନିଗ୍‌ଧ ସୁରଭି ଚନ୍ଦନ,

ନଷ୍ଟ ହୁଏ ଉଗ୍ର ତୀବ୍ର ନିମ୍ୱକାଷ୍ଠଗନ୍ଧ ।

ଶଳିତା ଅନଳ ବେନି ସଂଯୋଗରେ ହୁଏ

ଗୃହଗର୍ଭ ଆଲୋକିତ, ଅନ୍ଧକାର ଦଗ୍‌ଧ,

 

ବୃଷ୍ଟିବିନ୍ଦୁ, ପୃଷ୍ୟାଯୋଗ, ଉଭୟେ ଫଳାନ୍ତି

ଶକ୍ତିଗର୍ଭେ ମୁକ୍ତାଫଳ, ବୁଝ ମୁକ୍ତାଦନ୍ତି !

ରହିଛି ଏକାଧିପତ୍ୟ ଜାତିବିଶେଷର

ଧର୍ମରାଜ୍ୟେ, ଧର୍ମଶାସ୍ତ୍ର ଅସ୍ପୃଶ୍ୟ ଅନ୍ୟର,

 

କି ଆଶ୍ଚର୍ଯ୍ୟ କଥା, ଆହୋ ମୂଳଲକ୍ଷ୍ୟ ଯାହା

ନର ଜୀବନର, ସେହି ଧର୍ମରୁ ସେ ହାୟ

ରହିବ ବଞ୍ଚିତ ସଦା, କି ସ୍ୱାର୍ଥପରତା !

ହୋଇପାରେ ଧର୍ମଶାସ୍ତ୍ର ନିଷିଦ୍ଧ ବ୍ୟବସ୍ଥା

 

ଅଯୋଗ୍ୟ ପକ୍ଷରେ, ମାତ୍ର ଯୋଗ୍ୟ ପକ୍ଷେ କିପା ?

ନ ରହେ ଆବଦ୍ଧ ଧର୍ମ ଜାତିବିଶେଷରେ

କିମ୍ୱା ବ୍ୟକ୍ତିବିଶେଷରେ, ସାଧାରଣ ସେ,

କେ କହିବ ବାୟୁ ମୋର, କେ କହିବ ଜ୍ୟୋସ୍ନା

 

ମୋହପାଇଁ ସୃଷ୍ଟ ଏକା, ଯାହା ଦୈବଦାନ,

ଭୋଗେ ତାହା କିଏ ଦେବବାଧା ! ନିଜେ ହୋଇ

ମାନବ, ମାନବତ୍ୱ ଯେ ହରେ ଅପରର,

କେଉଁ ଧର୍ମ ତାର, ତାହା ତାକୁ ହିଁ ଗୋଚର ।

 

ସମୁଦାର ନୀତିବନ୍ତ ମାନବ ସମାଜ

ସମଭାବେ ଅଧିକାର ପ୍ରଦାନେ ସକଳେ,

ଅନ୍ୟଥା ସଂକୀର୍ଣ୍ଣ ସେହି ସମାଜ ସର୍ବଥା ।

ଉଠିବ ଏ ଅତ୍ୟାଚାର ଅଦୂର ଭବିଷ୍ୟେ,

 

ଧର୍ମ-ସୁଧା, ଶାସ୍ତ୍ର-ମଧୁ ପିଇବେ ମାନବେ

ନିଜ ହସ୍ତେ ମହାନନ୍ଦେ ଜାତିନିର୍ବିଶେଷେ,

ଅର୍ଜୁନ ସହାୟ ଏକା ଏ କାର୍ଯ୍ୟ ସାଧନେ ।’’

ନୀରବନ୍ତେ ସତ୍ୟଭାମା-ଅଷ୍ଟାପାଟବଂଶୀ,

 

କହିଲେ ସୁଭଦ୍ରା-‘‘ଧନ୍ୟ ଅର୍ଜୁନ ଜୀବନ,

ଯାହାର ସାହାଯ୍ୟପ୍ରାର୍ଥୀ ସ୍ୱୟଂ ନାରାୟଣ

ନର ନୁହେଁ, ଦେବି, ସେହୁ, ଛଦ୍ମରୁପୀ ଦେବ,

ତା ପଦଦର୍ଶନ ତୀର୍ଥଦର୍ଶନ ସଦୃଶ ।’’

 

‘‘ସେ ତୀର୍ଥରେ ବୁଡ଼ିବାକୁ ଇଚ୍ଛା କି ସୁଭଦ୍ରା?’’

କହି ଏହା ସତ୍ୟଭାମା ପରିହାସ ଛଳେ

ଲୀଳାକୁବଳୟ କରେ ଶ୍ୟାମଳି ସଧୀରେ

ବିଶୃଙ୍ଖଳ ନୀଳକେଶ, ଚାହିଁଲେ ବଦନେ,

 

ଅନ୍ଧାରେ ଆଡ଼େଇ ଦେଇ ଦେଖିଲା କି ଜ୍ୟୋସ୍ନା

ସୁନ୍ଦରୀ ଧରଣୀ ମୁଖ । ଆଦରେ ଆବର

କହିଲେ-‘‘ତୁହି ତ ଭଦ୍ରା, ପତିପାବନୀ

ପୁଣ୍ୟତରଙ୍ଗିଣୀ ଗଙ୍ଗା, ମହାତୀର୍ଥରୂପା,

 

କେଉଁ ସିନ୍ଧୁସଙ୍ଗେ ମିଶି, ହରି ତା କଟୁତା,

କରିବୁ ମଧୁର ତାକୁ, ଶୀତଳ, ପାବନ,

ସେ ବରେଣ୍ୟ, ଭାଗ୍ୟଧନ୍ୟ, କେଉଁ ସିନ୍ଧୁ ଭଦ୍ରା?’’

ପ୍ରକାଶି ମଧୁର କ୍ରୋଧ ସୁମଧୁର ଲଜ୍ଜା,

 

କହିଲେ ସୁଭଦ୍ରା ତହୁଁ-‘‘ନ ଗଲା ବାଳକ

ପରିହାସପ୍ରିୟାଙ୍କର ଛଳ, ପରିହାସ ।’’

ହସି ହସି ସତ୍ୟଭାମା ହାସକୌତୁକିନୀ,

ସୁଭଦ୍ରା ଚିବୁକ ଧରି କହିଲେ ସୁଆଗେ,

 

‘‘ଥାଉ ତେବେ ପରିହାସ ଏବେ ଜେମାମଣି

ଆସିବ ସୁଦିନ ଯେବେ, କରିବି ସେଦିନ

ଆଶାପୂରା ପରିହାସ, ଆସନ୍ନ ସେ ଦିନ ।’’

ଏହିରୁପେ ରସାଭାଷେ ଅତିକ୍ରମ ପଥ

ମିଳିଲେ ଉଭୟେ ଯାଇ ପ୍ରମୋଦ ଭବନେ ।

 

Unknown

ଦ୍ୱିତୀୟ ସର୍ଗ

ରୈବତ ପର୍ବତେ ଶୋଭେ ପ୍ରମୋଦ-ଭବନ

ସୃଷ୍ଟିପିତା କୃଷ୍ଣଙ୍କର, ନବ ସ୍ୱପ୍ନସ୍ୱର୍ଗ,

ଅଦୃଷ୍ଟ-ଅଶ୍ରୁତପୂର୍ବ । ବୀଥି ବୀଥି ହର୍ମ୍ୟ

ଦିବ୍ୟ ଧ୍ୱଜଚୂଡ଼, ଉଭା ବିଚିତ୍ର ଭଙ୍ଗୀରେ,

 

ଗବାକ୍ଷ-ଚକ୍ଷୁରେ ଚାହିଁ ସେ ସୁନ୍ଦରୀ ପୁରୀ,

ଦେଖୁଅଛି ତିନି ଦିଗେ ଅନନ୍ତ ବାରିଧି,

ଅନ୍ୟ ଦିଗେ ଶ୍ୟାମାୟିତ ଭୁ-ପ୍ରକୃତି ଛବି,

ସ୍ତମ୍ଭୀଭୂତ ଯେହ୍ନେ ଦେଖି ବିଶ୍ୱବିରାଟତା,

ପ୍ରକାଶିଛି ଅର୍ଥଶୂନ୍ୟ ଚକିତ ସୁହାସ ।

 

ଉଜ୍ୱ୍ୱଳ ସେ ପୁରୀ ନିଜେ ନିଜର ଜ୍ୟୋତିରେ ।

ବୈଜ୍ଞାନିକ କୌଶଳରେ ନିର୍ମିତ ନଗରୀ,

କି ଶୋଭା ତାହାର, ସ୍ୱୟଂ ଶୋଭା-ଲକ୍ଷ୍ମୀ ଅବା

ଧରିଣ ଯୁବତୀ ମୂର୍ତ୍ତି ବସିଛି ପର୍ବତେ

 

ମଣ୍ଡି ହୋଇ ଚତୁର୍ବିଧ ରତ୍ନେ, ଶୋଭେ କାହିଁ

ବନରତ୍ନ-ପତ୍ରପୁଷ୍ପ, ଖଣିରତ୍ନ-ମଣି,

କାହିଁ ବା ଝଟକେ ମୁକ୍ତା ପ୍ରବାଳ ଇତ୍ୟାଦି

ସିନ୍ଧୁରତ୍ନ, ସରରତ୍ନ-ସରୋଜକୁମୁଦ ।

 

କେଉଁ ହର୍ମ୍ୟ ଗଜାକୃତି, ଅଶ୍ୱାକୃତି କେହି,

କେହି ବା ଗଠିତ ଦୃପ୍ତ ହର୍ଯ୍ୟକ୍ଷ ଆକାରେ,

କାହାର ବା ପକ୍ଷିମୂର୍ତ୍ତି, ବିରାଟ, ସୁନ୍ଦର ।

ପ୍ରତିକକ୍ଷେ ସୁରକ୍ଷିତ ଆଲୋକ, ସଲିଳ

 

ସୁକୌଶଳେ, ସ୍ୱର୍ଣ୍ଣତନ୍ତୁ ଲାଗିଛି ଭିତ୍ତିରେ,

କଲେ ତାହା ଆକର୍ଷଣ ବାହାରେ ଆଲୋକ,

ଆବର ଶୀତଳ ସ୍ୱଚ୍ଛ ଅମୃତ ସଲିଳ ।

ନାନା ରତ୍ନେ, ନାନା ଶିଳ୍ପେ ପୂର୍ଣ୍ଣ ପ୍ରତିକକ୍ଷ,

 

ଶ୍ରେଷ୍ଠ ରତ୍ନ, ଶ୍ରେଷ୍ଠ ଶିଳ୍ପ, ଉତ୍କୃଷ୍ଟା ପଦାର୍ଥ

ଯାହା ଯହିଁ ମିଳେ ଭବେ, ସେ ସକଳ ତହିଁ

ଏକାଧାରେ ସମାବିଷ୍ଟ, ସ୍ଥୂଳତଃ ସେ ପୁରୀ

ବିଶ୍ୱର ସଂକ୍ଷିପ୍ତସାର, ବିଶ୍ୱପ୍ରଦର୍ଶନୀ ।

 

ପ୍ରତିହାରେ, ବାତାୟନେ, ଅଭ୍ରର କବାଟ-

ନୀତ ପୀତ ରକ୍ତ ଶ୍ୱେତ ବିବିଧ ବର୍ଣ୍ଣର,

ସୃଜିଅଛି ଇନ୍ଦ୍ରଧନୁ ମହୋତ୍ସବ ସଦା ।

ଊର୍ଦ୍ଧ୍ୱେନୀଳ ଚନ୍ଦ୍ରାତପ ଶୋଭେ ନଭନିଭ,

 

ଟଙ୍ଗା ତହିଁ ହୀରା, ନୀଳା, ପ୍ରବାଳଗୋଲକ,

ରବି ଶଶୀ ନକ୍ଷତ୍ରାଦି ଜ୍ୟୋତିଷ୍କମଣ୍ଡଳୀ

ଉଦିତ କି ଏକଯୋଗେ କୃତ୍ରିମ ଆକାଶେ

ନିସର୍ଗ ଆକାଶ ତେଜି, କେଉଁ ଅଂଶେ ଅବା

 

ପଦ୍ମରାଗ ହାଣ୍ଡି ମଧ୍ୟେ ସ୍ୱର୍ଣ୍ଣଦୀପଶିଖା

ଦୋହଲି କୌଶଳେ, କେବେ ଧୀରେ କେବେ ଖରେ,

ଜନ୍ମାଉଛି ରଙ୍ଗଘନେ ବିଦ୍ୟୁଲ୍ଲତା ଭ୍ରାନ୍ତି ।

ତରୁଲତା ପଶୁପକ୍ଷୀ ନରନାରୀ ଆଦି

 

କେତେ ଚାରୁ ପ୍ରତିମୂର୍ତ୍ତି ଖୋଦିତ ଭିତ୍ତିରେ,

କି ଅତୁଳ ଦକ୍ଷତାରେ ଖୋଦିତ ସେ ମୂର୍ତ୍ତି !

ଜୀବଶୂନ୍ୟ ପାଷାଣରେ ଉଠୁଛି ଉଦ୍ଭାସି

ପ୍ରାଣଆଭା, ଜଡ଼େପୁଷ୍ପେ ଚୈତନ୍ୟର ଲୀଳା ।

 

ପଡ଼ୁଛି ନିଗିଡ଼ି ତହୁଁ ପ୍ରକୃତ ପୁଷ୍ପର

କୋମଳତା ନିସର୍ଗତା ମୋହନ ମାଧୁରୀ ।

କାହିଁ ରାଜେ ମୁନିମୂର୍ତ୍ତି, ସତ୍ୟ କି କୃତ୍ରିମ

ହେଉ ନାହିଁ ବାରି, ଦେଖି ପ୍ରତେ ହୁଏ ଯେହ୍ନେ

 

କହିବ କହିବ ବୋଲି ବହିଛି ଉବ୍ଦେଗ

କି ଅମୂଲ୍ୟ କଥା, ଅବା ଉପଦେଶ ବାଣୀ,

ମାତ୍ର କଥା ଯାଉଅଛି ଅଧରେ ମିଳାଇ ।

ଉଭା ଏକ ଠାବେ ଯୁଗ୍ମ ସୂବର୍ଣ୍ଣପ୍ରତିମା

 

ନୃତ୍ୟବେଶେ, ଧରି କରେ ସ୍ୱବର୍ଣ୍ଣବୀଣାଯନ୍ତ୍ର,

ଆଭାସନ୍ତି ଡେଣାକଟା ପରୀ ପ୍ରାୟ ବେନି,

ମାତ୍ର କି କୌତୁକ କାଣ୍ଡ, କିବା ଇନ୍ଦ୍ରଜାଲ

ଛୁଇଁ ଦେଲାକ୍ଷଣି ହାତ ସେ ପ୍ରତିମାଦେହେ,

 

ନୃତ୍ୟ ଗୀତ ବାଦ୍ୟେ ଲାଗେ ହଲ୍ଲୀଷକକ୍ରୀଡ଼ା,

ଗନ୍ଧର୍ବନଗରୀ ଭୁତି ବହେ ରୈବତକ ।

 

ସ୍ୱଭାବ ପାଦପ ସହ କୃତ୍ରିମ ପାଦପ

ବିରାଜେ ଅଳିନ୍ଦେ, ଉଭେ ଫଳପୁଷ୍ପବନ୍ତ,

ଥଣ୍ଟ ମାରି ବିହଙ୍ଗମେ ଫଳେ, ବାରୁଛନ୍ତି

ପ୍ରକୃତ କୃତ୍ରିମ, ତଥା ଗନ୍ଧ ଘ୍ରାଣି ଅଳି,

ଶ୍ରାନ୍ତ କ୍ଳାନ୍ତ, ଉଡ଼ି ବୁଲି ପୁଷ୍ପୁପୁଷ୍ପାନ୍ତରେ ।

 

କୃତ୍ରିମେ ବାସ୍ତବ ପୁଷ୍ପୁମଣି କେତେ ଥର,

ହେଉଅଛି ପ୍ରତାରିତ ବସିଯାଇ ତହିଁ ।

ଦ୍ୱାର ଊର୍ଦ୍ଧ୍ୱେ ଟଙ୍ଗା କେତେ ଚାରୁ ଚିତ୍ରପଟ,

କାହିଁରେ ଅଙ୍କିତ ବୃଦ୍ଧ ବସୁଦେବ ମୂର୍ତ୍ତି

 

କାହିଁରେ ଦୈବକୀ ଦେବୀ-ମହାଭାଗ୍ୟବତୀ

କାହିଁ ନନ୍ଦ ଯଶୋଦାଙ୍କ ପୁଣ୍ୟୋଜ୍ଜକ ମୂର୍ତ୍ତି

ହୋଇଛି ଚିତ୍ରିତ ସ୍ୱର୍ଣ୍ଣରଙ୍ଗେ, କାହିଁ ଅବା

ସ୍ୱର୍ଣ୍ଣପଟେ ରାଜଯୋଗୀ ଉଗ୍ରସେନ ଛବି ।

 

କେତେ ସ୍ଥାନେ କେତେ ଦୃଶ୍ୟକେ କଳିବ ତାହା

ବର୍ଣ୍ଣୁଥିଲେ ନ ସରିବ ସେ ପୁରୀ-ମହିମା ।

ପ୍ରମୋଦ ମନ୍ଦିର ଆଜି ହେଉଛି ମଣ୍ଡିତ,

କରୁଛନ୍ତି ପରିଷ୍କାର ସଂସ୍କାର, ସୁସଜ୍ଜା

 

ଶତ ଶତ ପରିଚାରୀ, ଗୃହେ ଗୃହେ ବୁଲି,

ଚହଟି ଯାଉଛି ଗୃହ ବିଦ୍ୟୁତାଙ୍ଗୀଙ୍କର

ବିଦ୍ୟୁତ ଗତିରେ, ଯେହ୍ନେ ଗୃହ ନୁହେଁ ତାହା-

ଚକଲତା ଉପବନ, କିମ୍ୱା ସେ ପ୍ରାସାଦ

 

ନୀରୀ-ବିଦ୍ୟାଳୟ, ଶାନ୍ତି ସଂଯତତାରୂପେ

ଭଦ୍ରା, ସତ୍ୟଭାମା, ନାରୀଗୁରୁ, ଦିଅନ୍ତି ସେ

କାମନା ବାସନାରୁପା ଶିଷ୍ୟବର୍ଗେ ଶିକ୍ଷା

ଶିବଦା ନିବୃତ୍ତି-ବିଦ୍ୟା, ହୁଏ ସିନା କର୍ମେ

 

କର୍ମର ନିବୃତ୍ତି, ବିଷା ବିଷ ହୁଏ ନଷ୍ଟ ।

ବ୍ୟତିବ୍ୟସ୍ତ ଦୁହେଁ ଆଜି ମନ୍ଦିର ସଜ୍ଜାରେ,

ହେଉ ନାହିଁ ବେନିଙ୍କର ମନୋମତ ଯାହା,

ଭଙ୍ଗା ହୋଇ ତାହା ତ୍ୱରା ନବୀନ ଭାବରେ

 

ହେଉଛି ମଣ୍ଡଣି, ହୁଏ ସଂସ୍କାର କାହାର,

ଲାଗିଅଛି ଏହିପରି କେତେ ଭଙ୍ଗାଗଢ଼ା,

ସ୍ୱଭାବେ ସୁନ୍ଦରତର ସଜ୍ଜା ଉପାଦାନ,

ଦୁଯେ ହୋଇ ସୁବିନ୍ୟସ୍ତ ସୁନ୍ଦରୀ ଶ୍ରୀକରେ

 

ଦିଶିଲା ଦ୍ୱିଗୁଣ ଦୀପ୍ତ, ମଧୁର, ସୁନ୍ଦର ।

‘‘କାହିଁ ସତ୍ୟା, କାହିଁ ଭଦ୍ରା’’ କହି ବାରମ୍ୱାର

(ଉଠିଲା କି ବାଜି ଆହା ଅମୃତ ବିପଞ୍ଚୀ )

ଅମୃତ ସୁସ୍ଵରେ, ବର୍ଷି ଅମୃତ ଚୌଦିଗେ,

 

ହେଲେ ଉପସ୍ଥିତ ଆସି ରୁକ୍ମାଙ୍ଗୀ ରୁକ୍ମିଣୀ,

ଅଷ୍ଟପାଟବଂଶୀଶ୍ରେଷ୍ଠା, କୃଷ୍ଣ-ପାଟରାଣୀ ।

କୃଷ୍ଣପ୍ରାଣା ଦେବୀ, ମୁଖେ, ରହିଅଛି ଲାଗି

ନାରାୟଣ ହରି ଶବ୍ଦ, ଯେହ୍ନେ ପଢ଼ାଶୁକ

 

ଉଚ୍ଚାରେ ତାରକବ୍ରହ୍ମନାମ ଅବିରତ ।

ଶତ ଶଶିକରୋଜ୍ୱଳ ମୁଖ-ଶତଦଳ,

ବୋଳା ତହିଁ ପ୍ରୌଢ଼ତ୍ୱର ପକ୍ୱଜ୍ଞାନ ବିଭା,

କୁସୁମ ରେଣୁରେ ଗଢ଼ା ସୁଭନ୍ୱୀ ସୁତନୁ,

 

ନିଶ୍ଚୟ ଦ୍ୱାରକା ନବ ଅମରା, ଏ ତାର

ଭୂଷଣର ଉପଯୁକ୍ତ ମଣି, ଗୃହିଣୀ ଯେ

କୃଷ୍ଣଙ୍କର, ଅବତୀର୍ଣ୍ଣା ମହାଲକ୍ଷ୍ମୀ ଅଂଶେ,

କି ଉପମା ତାହାଙ୍କର, ସ୍ୱୟଂ ନିରୂପମା,

ଦେବ ମହିମାର ମହାମୁକୁର ଲଲାଟ ।

 

ଶୋଭିବ ଯେବଣ ଅଙ୍ଗେ ଯେଉଁ ଅଳଙ୍କାର

ଅଛି ତହିଁ ତାହା, ମାତ୍ର ତହୁଁ ବହୁଗୁଣେ

କରିଛି ସୁନ୍ଦର ତାଙ୍କୁ ନିସର୍ଗ ଭୁଷଣ

ସ୍ନେହ, ଦୟା, ସରଳତା, ପ୍ରୀତି, ପବିତ୍ରତା ।

 

ରାଜରାଣୀ, ମାତ୍ର ଆସ୍ଥା ନାହିଁ ରାଣୀବେଶେ,

ଶ୍ରଦ୍ଧା ସମଧିକ ଯେହ୍ନେ ଦୀନବେଶେ ତାଙ୍କ ।

ବୈଦର୍ଭୀଙ୍କ ପାଦପଦ୍ମେ ପ୍ରଣମିଲେ ତ୍ୱରା

ଭଦ୍ରା ସତ୍ୟଭାମା ବେନି, ପ୍ରଣମିତ ଯଥା

 

ସାନ୍ଧ୍ୟତାରା, କୁମୁଦିନୀ ଅବନତ ଶିରେ

ପୂର୍ଣ୍ଣିମା ଶର୍ବରୀ ପଦେ, ଅଥବା ଯେସନ

ପ୍ରଣମେ ତୁଳସୀ ପଦେ ଦୀପଶିଖା ସହ

ଗୃହଲକ୍ଷ୍ମୀ, କିମ୍ୱା ବାତେ ପଡ଼ିଲା କି ଢଳି

ଯୁଗଳ କମଳ ଆନ କମଳ ପୟରେ ।

 

 

ତୋଳି ଧରି ଦେବୀ, କଲେ ଉଭେ ଆଶୀର୍ବାଦ-

‘‘ହୁଅ ଚିର ଭାଗ୍ୟବତୀ, ଧର୍ମେ ତାଉ ମତି ।’’

ଶୁଣି ଏ ଆଶିଷ, ହସି ଭାଷିଲେ ସୁଭଦ୍ରା-

‘‘ବହୂ ଠାକୁରାଣୀ ! ତବ ଏ ଶୁଭାଶୀର୍ବାଣୀ

 

ହୋଇଛି ସଫଳ ପୂର୍ବୁ ଜୀବନେ ମୋହର,

ଭ୍ରାତା ଯାର ନାରାୟଣ, ତ୍ରିଲୋକ-ଆଶ୍ରୟ,

ଭ୍ରାତୃବଧୂ-ବିଶ୍ୱାରାଧ୍ୟା ଲକ୍ଷ୍ମୀ ସରସ୍ୱତୀ,

ତାହାଠାରୁ ଭାଗ୍ୟବତୀ କିଏ ଏ ସଂସାରେ ?

 

ସୁଭଦ୍ରା ସେବକୀ ସଦା ତୁମ୍ଭମାନଙ୍କର,

କରିଅଛି ଭାଗ୍ୟବତୀ ତୁମ୍ଭେମାନେ ତାକୁ

ସ୍ନେହ, କୃପା ଦାନେ, ତେଣୁ ସୌଭାଗ୍ୟବତୀ ସେ l

ଜାଣେ ନାହିଁ ଧର୍ମାଧର୍ମ କିଛି, ଜାଣେ ଖାଲି

 

କୃଷ୍ଣ ସେବା, ସେବ୍ୟ ସେବା, ଦୀନ ରୁଗ୍ଣ ସେବା,

ଏହାହିଁ ମୋହର ଧର୍ମ,-ଜୀବନର ବ୍ରତ ।’’

ମୃଦୁ ହାସ୍ୟେ ଏ ଉକ୍ତିର ନୀରବ ଉତ୍ତର

ଅର୍ପିଣ ରୁକ୍ମିଣୀ ଦେବୀ, ଭାଷିଲେ ସସ୍ନେହେ-

‘‘ଚାଲ ଆଗେ କାର୍ଯ୍ୟାବଳି ଦେଖିବା ତୁମ୍ଭର ।’’

 

କୌମୁଦୀମାର୍ଜିତ ରାତ୍ରି, ଜ୍ୟୋସ୍ନା ଢଳଢଳ,

ଚାଲିଲେ ତିନିହେ ତହିଁ ବୁଡ଼ି ଧୀରେ ଧୀରେ,

ସ୍ୱର୍ଣ୍ଣସ୍ରୋତସ୍ୱିନୀ ସ୍ରୋତେ ଯାଉଛି କି ଭାସି

ତିନୋଟି ସୂବର୍ଣ୍ଣ ପଦ୍ମ, କିମ୍ୱା ପ୍ରତେ ହୁଏ-

 

ସଚଳ କବିତାପନ୍ତି, ଚାଲିଛି ସଧୀରେ

ହୋଇ ମହାବିଭବିନୀ,-ଭାଷା, ଭାବ, ଅର୍ଥ

ବିଭବରେ ଗୌରବିନୀ ସୌନ୍ଦର୍ଯ୍ୟ-ଗୌରବେ ।

ଯାଉଁ ଯାଉଁ ବେନି ପାର୍ଶ୍ୱେ ଦେଖାନ୍ତି ଉଭୟେ

 

ସ୍ୱ ସ୍ୱ କାର୍ଯ୍ୟ ରୁକ୍ମିଣୀଙ୍କୁ ଅଦମ୍ୟ ଆଗ୍ରହେ,

କହେ ଭଦ୍ରା- ‘‘ଦେଖ ବହୁ, ମୋର ଏ ମଣ୍ଡଣି’’

ସତ୍ୟଭାମା କହେ, ଅପା ! ଦେଖ ଏଣେ ମୋର,

ଦେଖିଣ ରୁକ୍ମିଣୀ, ବହୁ ପ୍ରଶଂସି ବେନିଙ୍କି,

 

ଥିଲା ଯହିଁ ଯା ଅଭାବ, ଭ୍ରମ ବା ଅପୂର୍ଣ୍ଣ,

କରିଦେଲେ ନିଜେ ତାହାପୂର୍ଣ୍ଣ, ସଂଶୋଧନ ।

ଏହିରୂପେ ନାନା ସ୍ଥାନେ ବୁଲି ବୁଲି ସର୍ବେ

ହୋଇ କ୍ଳାନ୍ତ, ବିଶ୍ରାମିଲେ ଅଶୋକମଣ୍ଡପେ,

 

ରୁକ୍ମିଣୀ ସୁଭଦ୍ରାମୁଖ ଚାହିଁ ସ୍ନେହନେତ୍ରେ

କହିଲେ କରୁଣାମୟୀ ଆଦରେ ସୁଆଗେ

ଯାଇଅଛି ଶୁଖି ଆହା ସୁଭଦ୍ରା- ବଦନ,

ଖଟି ଖଟି ସେବାଶ୍ରମେ ଦିବସ ରଜନୀ,

ହେଲାଣି ତ ଜେମାମଣି ଅସ୍ଥିଚର୍ମସାର !’’

 

କରି ତାହା ସମର୍ଥନ ସତ୍ରାଜିତସୂତା

କହିଲେ କୋମଳେ, ‘‘ଅପା, ବାଳିକାହୃଦୟେ -

ଅଜ୍ଞାନ ତରଳ କ୍ଷୁଦ୍ର ବାଳିକାହୃଦୟେ ।

ନିଷ୍କାମ କର୍ମର ବୀଜ କରିବା ବପନ

 

ହେଲା କି ସଙ୍ଗତ କାର୍ଯ୍ୟ, ପାରିବ କି ସହି

ସୁକୁମାରୀ ଶେଫାଳିକା ଖର ରୌଦ୍ରତାପ?’’

ଭାଷିଲେ ସସ୍ମିତେ ଦେବୀ ‘‘ସତ୍ୟ ! ବାଳିକା ତୁ

କି ବୁଝିବୁ ମର୍ମ ଅବା ନିଷ୍କାମ କର୍ମର ?

 

କି ବୁଝିବି ଅଜ୍ଞାନା ମୁଁ, ମଙ୍ଗଳ ମହତ୍ତ୍ୱ

ତାର, ରୋପିଛନ୍ତି ଭ୍ରାତା ଭଗ୍ନୀ ହୃଦେ ତାହା

ଯେ ମଙ୍ଗଳମୟ, ତାଙ୍କ ମଙ୍ଗଳ ଉଦ୍ଦେଶ୍ୟ

ନିଶ୍ଚୟ ମଙ୍ଗଳ ସତ୍ୟ, କି ସନ୍ଦେହ ତହିଁ ?

 

ଏ ଜୀବନ କ୍ଷଣସ୍ଥାୟୀ, କ୍ଷଣସ୍ଥାୟୀ ଯଥା

କୀଚକ ଅନକ *ସ୍ଥାୟୀ, କର୍ମ ଏକା ଭବେ

ହୋଇ ଆତ୍ମବିସ୍ମୃତିରେ ଆପାଦମସ୍ତକ

ମଗ୍ନ, ଜଗତର ସେବା କରିବା ହିଁ କର୍ମ,

* ବାଉଁଶ ନିଆଁ

 

କର୍ମରେ ଉନ୍ନତି ଲାଭ ମାନବ ଆତ୍ମାର,

କର୍ମରେ ଦେବତ୍ୱ ଲାଭ, କର୍ମରେ ବ୍ରହ୍ମତ୍ୱ,

ସଂସାରେ ଯେ ଯେତେ ବଡ଼, ତେତେ କର୍ମବ୍ୟସ୍ତ

 

କର୍ମ ତାର ତେତେ ବଡ଼, ତେତେ ମୂଲ୍ୟବାନ ।

ରବି ଶଶୀ ବାୟୁ ଆଦି ସଦା କର୍ମମଗ୍ନ,

କି ଅଛି କାମନା କାର, ସର୍ବେ ମହାତ୍ୟାଗୀ,

ତ୍ୟାଗ-ଯାଗ-ପୂତ ଆତ୍ମା ଧନ୍ୟ ଏ ମହୀରେ ।’

 

ଅନନ୍ତର ସତ୍ୟଭାମା ସୁଭଦ୍ରାକୁ ଚାହିଁ

କହିଲେ-‘‘ସୁଭଦ୍ରେ, ଦେଖ ବୁଲି ବୁଲି ଆଜି

ବଡ଼ କ୍ଲାନ୍ତ ଅପା, ସ୍ରବେ ସ୍ୱେଦବିନ୍ଦୁ ମୁଖଁ,

ଶୋଭେ ଯଥା ଫୁଲ୍ଲପଦ୍ମେ ନୀହାରକଣିକା,

 

ଦେଉଛି ମୁଁ ବିଞ୍ଚି ତାଙ୍କୁ, ଯାଇ ତୁମ୍ଭେ ତ୍ୱରା

ଶେଷ କରି ଆସ ଭଗ୍ନି, ଅବଶିଷ୍ଟ କାର୍ଯ୍ୟ,

ଯିବା ହଂସପୁରେ, ରାତ୍ରି ହେଉଛି ଅଧିକ ।’’

ଚଳିଗଲେ ଭଦ୍ରା ତହୁଁ, ସତୀ ସତ୍ୟଭାମା

 

ବିଞ୍ଚିଦେଲେ ସପତ୍ନୀଙ୍କି ପଦପ୍ରାନ୍ତେ ବସି,

ବିଞ୍ଚୁ ବିଞ୍ଚୁ ଜାତ ହେଲା ହୃଦୟେ ତାଙ୍କର

କି ପ୍ରଖର ଉତ୍ତେଜନା, କି ମୌନ ଉଚ୍ଛ୍ୱାସ,

ହେଲା ନେତ୍ର ଛଳଛଳ, ହାସ୍ୟମୁଖେ ଅଶ୍ରୁ

 

କି ସୁନ୍ଦର ! କି ସୁନ୍ଦର ବୃଷ୍ଟିସିକ୍ତ ଜ୍ୟୋସ୍ନା,

ଲୁଚାଇ ବଦନ ଦେବୀ ରୁକ୍ମିଣୀଙ୍କ ଅଙ୍କେ

ମାତୃଅଙ୍କେ ଗେହ୍ଲା କନ୍ୟା ପ୍ରାୟ, କ୍ଷଣ ପରେ

କହିଲେ ଏସନ-‘‘ଅପା ! ତବ ପଦେ ଆଜି

 

କରିବି ଗୋଟିଏ ଅଳି, ରଖିବ ମୋ କଥା ।

କି ଶୀତଳ ଅଙ୍କ ତବ, ସ୍ନେହର ତ୍ରିଦିବ,

ଲଭି ତାହା ମାତୃଅଙ୍କ ପାସୋରିଛି ମୁହି,

ଭାଗ୍ୟବତୀ ଭଉଣି ! ମୁଁ, ପାଇ ତୁମ୍ଭ ଭଳି

 

ସ୍ନେହମୟୀ ପ୍ରେମମୟୀ ସପତ୍ନୀ-ରତନ,

ତୁମ୍ଭ ପରି ଦେବି! ଦେବି- ସପତ୍ନୀ ମୋ ଭାଗ୍ୟେ

ମିଳୁ ଜନ୍ମଜନ୍ମାନ୍ତରେ, ତୁମ୍ଭ ପାଶେ ଏକା

ଏ ଦୀନା ସତ୍ୟଭାମାର ଯାବତ ଜଞ୍ଜାଳ ।

 

ତୁମ୍ଭେ ଜ୍ୟେଷ୍ଠା ଭଗ୍ନୀ, ତୁମ୍ଭେ ମାତୃକଳ୍ପା ଦେବୀ,

ମୁଁ ତବ କିଙ୍କରୀ ମାତ୍ର, ରଖିବ ମୋ କଥା ।’’

ଏହା ଭାଷି ସତ୍ୟଭାମା ରହିଲେ ନୀରବ,

କରୁଁ କରୁଁ ବୀଣା ଚାରୁ ସଙ୍ଗୀତ ଆଳାପ

 

ସହସା ଗଲା କି ରହି, ନ ସରୁଣୁ ଗୀତ ?

ସହାସ୍ୟେ ରୁକ୍ମିଣୀ ତହୁଁ ସତ୍ୟଭାମାଙ୍କର

ଉତ୍ତେଜନାତପ୍ତ ଭାଲେ ବୁଲାଇ ସୁଧୀରେ

ବାତ୍ସଲ୍ୟଶୀତଳ ହସ୍ତ, ଯଥା ସନ୍ଧ୍ୟାରାଣୀ

 

ବୁଲାଏ ଅମୃତ ହସ୍ତ ତପ୍ତ ଧରାଭାରେ,

ଉତ୍ତରିଲେ ମଞ୍ଜୁଭାଷେ-‘‘ ଭ୍ରାନ୍ତିର ସ୍ୱପନ

ଏ ତୋହର ସତ୍ୟଭାମା, ମୁଁ ବଡ଼ ତୁ ସାନ !

ସାମାନ୍ୟ ସାବକୀ ମାତ୍ର ଆମ୍ଭେ ଦୁଇ ଜଣ

 

ଏକ ପ୍ରଭୁ ପଦ୍ମପାଦେ, ଦୁଇ ଲତା ଆମ୍ଭେ

କ୍ଷୁଦ୍ର ସତ୍ତା, ଏକମାତ୍ର ସହକାରାଶ୍ରିତା,

ଆମ୍ଭେ ବେନି କ୍ଷୁଦ୍ର ନଦୀ, ଅଛନ୍ତି ମିଶାଇ

ଏକଇ ଅନନ୍ତ ସିନ୍ଧୁ ଜୀବନେ ଜୀବନ,

ନାହିଁ ଏଥି ବଡ଼ ସାନ, ଉଭୟେ ସମାନ ।

 

କି ବାୟାଣୀ ତୁହି ସତ୍ୟ ! କି ଅଛି ଅଦେୟ

ତୋତେ ମୋର, ଅର୍ପିଛି ତ ସର୍ବସ୍ୱ ମୁଁ ତୋତେ

ଅଧିକନ୍ତୁ ଜୀବନ ଯେ ଜୀବନର ମୋର,

ସେ ସ୍ୱାମୀଙ୍କୁ ସୁଦ୍ଧା ତୋତେ କରିଛି ଅର୍ପଣ,

 

ସତ୍ୟ ସତ୍ୟ ! ତୋହ ପରି ସେବା ପ୍ରଭୁଙ୍କର

ନ ପାରିବି କରି ମୁହିଁ, ତେଣୁ ତାଙ୍କ ଭାର

ଅର୍ପି ସଦା ଶିରେ ତୋର, ଅଛି ମୁଁ ଆଶ୍ୱସ୍ତ ।

କି ଇଚ୍ଛା ତୋହର କହ, କହୁଛି ନିକର,

 

କରିବି ପୂରଣ ତାହା ପ୍ରଭୁ କୃପାବଳେ,

ମାଗିବୁ ଜୀବନ ଯଦି, ଅର୍ପିବି ଏକ୍ଷଣି ।’’

ଶୁଣି ଏହା ସତ୍ୟଭାମା ଉଠି ବସି ଖରେ

ଆନନ୍ଦ-ଗଦ୍‌ଗଦ କଣ୍ଠେ କହିଲେ ଏସନ -

 

‘‘ଛନ୍ଦିବାକୁ ପାର୍ଥ କରେ ସୁଭଦ୍ରାର କର

ଶୁଭ ପରିଣୟ- ସୂତ୍ରେ, ବଳିଚି ମାନସ,

ଏ କାର୍ଯ୍ୟରେ ତୁମ୍ଭେ ଏକା ସହାୟ ମୋହର ।

ତୁମ୍ଭ ବିନା ଏ ପ୍ରସ୍ତାବ ସ୍ୱାମୀଙ୍କ ସମୀପେ

 

କରିବାକୁ ନିବେଦନ ନାହିଁ କେ ଦ୍ୱିତୀୟ ।’’

କହିଲେ ରୁକ୍ମିଣୀ ଦେବୀ ସ୍ନେହମଖା ସ୍ୱରେ,

‘‘ଯଥାଯୋଗ୍ୟ ସତ୍ୟଭାମା ତୋ ମନୋନୟନ,

ଅର୍ଜ୍ଜୁନ ହିଁ ସୁଭଦ୍ରାର ଉପଯୁକ୍ତ ବର ।

 

ଯେ ଦେବତ୍ୱ ଅଛି ନର ପାର୍ଥ ଚରିତ୍ରରେ,

ଦେବ ଚରିତ୍ରରେ, ଭଗ୍ନି ! ନାହିଁ ସେ ଦେବତ୍ୱ

ଅନନ୍ତ ଜ୍ଞାନର ପାର୍ଥ ପୂର୍ଣ୍ଣ ପ୍ରତିମୂର୍ତ୍ତି,

ବିଶ୍ୱପ୍ରେମ-ପ୍ରତିବିମ୍ୱ ସୁଭଦ୍ରା ଆମ୍ଭର,

 

ଦୁହେଁ କୃଷ୍ଣଭକ୍ତ, ଶିଷ୍ୟ, ଦୁହିଙ୍କ ମିଳନ

ମଣିକାଞ୍ଚନର ଯୋଗ, ଦୁହିଙ୍କ ମିଳନ

କୃଷ୍ଣଭକ୍ତି ପ୍ରଚାରର ଶୁଭ ସଦୁପାୟ,

ଯଦୁମୁଳ ସୌମ୍ୟ ଲତା ଉଜ୍ଜ୍ୱଳିବ ଆହା

 

କୁରୁକୁଳୋଦ୍ୟାନ, ହେବ ଦୃଢ଼ ସମ୍ମଳିତ

ମହାବଂଶେ ମହାବଂଶ ତେଜସ୍ୱୀ ଶୋଣିତ,

ଏହା ଏ ଭାରତ ଭାଗ୍ୟେ ମଙ୍ଗଳ ନିଦାନ ।

ହେଲା ମୋର ମନୋମତ ତୋର ଏ ପ୍ରସ୍ତାବ,

 

କରୁଅଛି ଆର୍ଶୀବାଦ ପୂରୁ ତୋ ବାସନା,

କିନ୍ତୁ ଭଗ୍ନି ! ଏ ପ୍ରସଙ୍ଗ ସ୍ୱାମୀଙ୍କ ସକାଶେ

ନିବେଦନେ ଅକ୍ଷମ ମୁଁ, କ୍ଷମା କର ମୋତେ,

ସୁଭଦ୍ରା ଜୀବନାଧିକ ଜୀବନ ମୋହର,

 

ଛାଡ଼ି ପୁଣ୍ୟ ସହବାସ ତାର, କେମନ୍ତେ ବା

ଧରିବି ମୁଁ ଧୈର୍ଯ୍ୟ ଆଉ କେମନ୍ତେ କହିବି

ବିବାହ ପ୍ରସଙ୍ଗ ତାର ସ୍ୱାମୀ ସନ୍ନିଧାନେ,

ଇଚ୍ଛିଲେ ମୁ କହିବାକୁ, ଦେବ ନାହିଁ କହି

ଲୋତକ କଦାପି, ଦେଇ ବାରମ୍ୱାର ବାଧା ।

 

ମୋ ପ୍ରାଣର ପ୍ରତିବିମ୍ୱ ସୁଭଦ୍ରା ସୁନ୍ଦରୀ,

ଗୁନ୍ଥା ତହିଁ ମୋ ପ୍ରାଣର ଆଶା-ବାସନାଦି,

ଯଦୁକୁଳ-ଶୋଭା-ଲକ୍ଷ୍ମୀ, ଆହା ମୋ ସୁଭଦ୍ରା,

କି ପୁଣ୍ୟ ହୃଦୟ ତାର-ଦୟାର ଦର୍ପଣ,

ପାପର ଅସ୍ପଷ୍ଟ ଛାୟା ସ୍ପର୍ଶି ନାହିଁ ତାକୁ ।

 

କି ଜ୍ଞାନ ଗରିମା ଖେଳେ ବାଳିକାହୃଦୟେ,

ଦେଇ ବୁଲେ ଉପଦେଶ ସମସ୍ତଙ୍କୁ ସଦା -

‘ପରାର୍ଥେ ଯେ ଦୁଃଖ ଭୋଗ, ସ୍ୱର୍ଗ ଭୋଗ ତାହା’

କି ଗଭୀର ଉପଦେଶ, ସତ୍ୟ ତଥ୍ୟପୂର୍ଣ୍ଣ

ଗୁଣବତୀ ସୁଭଦ୍ରାର ପୂର୍ଣ୍ଣ ସର୍ବଗୁଣ,

 

ଫୁଲ ପ୍ରତି ପାଖୁଡ଼ାରେ-ପ୍ରତ୍ୟେକ ପରାଗେ l

ନିବସେ ସୁଗନ୍ଧ, ବିଶ୍ୱମନୋମୁଗ୍‌ଧକର ।

କେତେରୁପେ ଶାନ୍ତି ଦିଏ ଭଦ୍ରା ମୋ ଜୀବନେ

କେତେରୁପେ କରେ ସେବା, ମାତୃରୁପେ କେବେ

ପ୍ରାଣରେ କରୁଣା-ବାରି ଢାଳିଦିଏ ଆଣି,

 

କେବେସେବେକନ୍ୟାରୂପେ, ଭଗ୍ନୀରୁପେକେବେ

କେବେ ଗୁରୁରୂପେ ଅର୍ପେ ଶାସ୍ତ୍ର ଉପଦେଶ ।

ଏ ଫୁଲଟି ଯଦୁକୁତ ଶୁଦ୍ଧାନ୍ତ-ଉଦ୍ୟାନୁ

ଗଲେ କି ରହିବ ଆଉ ଉଦ୍ୟାନର ଶୋଭା ?’’

 

କହୁଁ କହୁଁ ଏହା, ଖସି ପଡ଼ିଲା ନୟନୁ

ଅଲକ୍ଷିତେ ବିନ୍ଦୁ ବିନ୍ଦୁ ଅଶ୍ରୁ ଦେବୀଙ୍କର,

ପୋଛିଦେଇ ସତ୍ୟଭାମା ଅଞ୍ଚଳେ ସେ ଅଶ୍ରୁ

ଭାଷିଲେ କୋମଳେ-‘‘ଝିଅ ପର ଘର ଶୋଭା,

 

କେ ରଖି ପାରିବ ସଦା ସେ ରତ୍ନ ଗୃହରେ ?

ଭାବ ଅପା ! ତୁମ୍ଭ ଆମ୍ଭ ଜନ୍ମସ୍ଥାନ କାହିଁ,

ରହିଲେ କାହିଁ ବା ଆସି, ବିଧି ବିଧାନ ସେ,

 

କେ ଖଣ୍ଡିବ ସେ ବିଧାନ, ଅଖଣ୍ଡ ଅକ୍ଷୟ ।

ଖଣିଗର୍ଭେ ଜନ୍ମେ ମଣି, ମାତ୍ର ଉଜ୍ଜୁଳାଏ

ଅପରର ଗୃହ, ଏହା ନିୟତିର ଲୀଳା ।’’

‘ସତ୍ୟ ଯା କହିଲୁ, ସତ୍ୟ ! ନିୟତିର ଲୀଳା -’

 

ଭାଷିଲେ ରୁକ୍ମିଣୀ, ‘‘କନ୍ୟା ପରଘର ଶୋଭା,

ରଖିବା ଅବିବାହିତା ସୁଯୋଗ୍ୟା କନ୍ୟାକୁ

ନୁହେଁ ଧର୍ମ, ଏ ପ୍ରସ୍ତାବ ନିଜେ ତୁହି କିପାଁ

ନ ଜଣାଉ ସ୍ୱାମିପଦେ, ମୋହର ବିଶ୍ୱାସ,

 

ଶୁଣିଲେ ଏ ସୁପ୍ରସ୍ତାବ ଗ୍ରହିବେ ନିଶ୍ଚେ ସେ ।’’

ଉତ୍ତରିଲେ ସତ୍ୟଭାମା, ସତ୍ୟ- ପୂତମୂର୍ତ୍ତି-

‘‘ଖଟୁ ନାହିଁ, ଅପା ! ମୋର ସାହସ ତହିଁକି,

ହେଉ ତେବେ ନିବେଦିବି ପୟରେ ତାଙ୍କର

 

ମାତ୍ର ମୁଁ ସ୍ୱାଧୀନ ଭାବେ ନ ପାରିବି କହି,

ତବ ପ୍ରତିନିଧିରୂପେ କରିବି ଜଣାଣ ।’’

ଏକାଳେ ସୁଭଦ୍ରା ଆସି ମିଳନ୍ତେ ସେଠାବେ,

ବିଜେ କଲେ ସର୍ବେ ମିଳି ଶୃଦ୍ଧାନ୍ତାଭିମୁଖେ ।

 

ତୃତୀୟ ସର୍ଗ

ମଧ୍ୟାହ୍ନ ସମୟ, ଧରା-ବିରଳଚହଳ,

ତେଜସ୍ୱୀ ଭୁପତି ଯଥା, ରଖେ ଉଷ୍ଣକଟୁ

ରାଜନୀତିବଳେ କରି ପ୍ରଜାଙ୍କୁ ଶଙ୍କିତ,

ପ୍ରଚଣ୍ଡ ମାର୍ତ୍ତଣ୍ଡକରେ ତଥା ଜୀବକୁଳ

 

ନୀରବ, ସଶଙ୍କ । ନରେ ବିଶ୍ରାମିଲେ ସୁଖେ

ଗୃହେ, ପଶୁପକ୍ଷିବୃନ୍ଦ-କାନନେ, କୁଲାୟେ,

ଶିଥିଳ ଏକାଳେ କର୍ମ-ଗ୍ରନ୍ଥି ସକଳର ।

ବିଜେ କୃଷ୍ଣ, ମାଧ୍ୟାହ୍ନିକ ଉପାସନା ପରେ

 

(ଯାଦବ-ଅଦୃଷ୍ଟାକାଶ-ଉଜ୍ଜ୍ୱଳଚନ୍ଦ୍ରମା)

ବିଶ୍ରାମ-ମଣ୍ଡପେ, କିବା ଅଦ୍ଭୁତ-ସୁନ୍ଦର

ସେ ମଣ୍ଡପ, ବହୁବର୍ଣ୍ଣୀ ପ୍ରସ୍ତରେ ନିର୍ମିତ,

ମାତ୍ର ସେ ପ୍ରସ୍ତରେ ନାହିଁ ପ୍ରସ୍ତର-ସୁଲଭ

 

କଠିନତା, କୋମଳ ସେ, କୋମଳ ଯେସନ

ସୁପାତି ତୂଳକା, ବିଛା ମଣ୍ଡପେ ଖରଡ଼,

ପଡ଼ିଅଛି ତା ଉପରେ ମାଣିକ୍ୟ ମୁକ୍ତାରେ

ଚାରୁ ସରୁ କାରୁକମ ଧାଡ଼ି ଧାଡ଼ି ହୋଇ ।

 

ହୀରକର ସ୍ତମ୍ଭଗାତ୍ରେ ମାଡ଼ିଛି ବିରଜେ

ସପୁଷ୍ପା ସୁବର୍ଣ୍ଣଲତା, ପ୍ରବାଳର ରୁଅ,

ବନ୍ଧା ତହିଁ ରୌପ୍ୟସୂତ୍ରେ ବୈଦୁର୍ଯ୍ୟର ବତା,

ସୁବର୍ଣ୍ଣ ପତ୍ରରେ ଢଙ୍କା ମଣ୍ଡପର ଚାଳ ।

 

ଝୁଲୁଛି ମଣ୍ଡପ କୋଶେ ସୁବର୍ଣ୍ଣ ପଞ୍ଜରୀ,

ବସିଣ ସାରିକା ତହିଁ, ଅବସନ୍ନ କଣ୍ଠେ

‘‘ନାରାୟଣ ହୁରି’’ ଶବ୍ଦ ଉଚ୍ଚାରୁ ଉଚ୍ଚାରୁ

ପଡ଼ୁଛି ଢୁଳେଇ, ତହୁଁ ଉଚ୍ଚାରିତ ଶବ୍ଦ

 

ଯାଉଛି ଅସ୍ପଷ୍ଟ ପୁଣି ବିଶୃଙ୍ଖଳ ହୋଇ

ମଦ୍ୟପ ପ୍ରତାପ ଯଥା, କିମ୍ବା ଭୀରୁବାକ୍ୟ;

ସ୍ୱଭାବେ ସେ ଲଘୁନିଦ୍ର, ଯାଉଅଛି ଭାଙ୍ଗି

କ୍ଷଣ କ୍ଷଣ ନିଦ୍ରା, ତହୁଁ ମଧ୍ୟେ ମଧ୍ୟେ ପକ୍ଷୀ

 

ଉଠୁଅଛି ଉଚ୍ଚସ୍ୱରେ ହରି ନାମ ଗାଇ ।

ସାରିକାର ଅଦ୍ଧସୁପ୍ତି, ଅର୍ଦ୍ଧ ଜାଗରଣ

ଦେଖୁଛନ୍ତି ବସି କୃଷ୍ଣ ନିର୍ନିମେଷେ ଚାହିଁ ।

କି ଭକ୍ତିଶୋଷିଣୀ ମୂର୍ତ୍ତି ! ସନ୍ଦର୍ଶନ ମାତ୍ରେ

 

ହୋଇଯାଏ ଭକ୍ତିଭାଣ୍ଡ ଅଜ୍ଞାତେ ଉଜାଡ଼ି,

କି ମୋହନ ବେଶ, କିବା ଚାରୁ ଠାଣି-ମାଣି,

କି ସୁନ୍ଦର ଶ୍ୟାମ ତନୁ, ହୋଇଛନ୍ତି ଆହା,

ଅରୂପ-ସୁନ୍ଦର, ଏବେ ସରୂପ ସୁନ୍ଦର ।

 

ପ୍ରଶାନ୍ତ ଶରୀର, ଧୀର ଗମ୍ଭୀର ନିଷ୍ପନ୍ଦ,

ଯଥା ବାରିଗର୍ଭ ଘନ-ଅବାତବିକ୍ଷୁବ୍‌ଧ,

ମହାଚିନ୍ତାଶୀଳ ମୂର୍ତ୍ତି, ମସ୍ତକେ ଯେସନ

କି ବିଶାଳ ଚିନ୍ତାଭାର ରହିଅଛି ଚାପା ।

 

କୋଟି ଶଶିପ୍ରଭା ଖେଳେ ବଦନ-ପଙ୍କଜେ,

ସ୍ଥିର-ସତ୍ୟପୁତ ଦୃଷ୍ଟି, ନିଃସରେ ତହିଁରୁ

କରୁଣା-କିରଣଧାରା, ତୃପ୍ତି ପ୍ରୀତି ସହ,

ବିଜେ କିବା ଶାନ୍ତି-ଦେବୀ ପୁରୁଷ ମୂର୍ତ୍ତିରେ ।

 

ବାହାରି ଶରୀରୁ ଦିବ୍ୟ ବୈଦ୍ୟୁତିକ ଜ୍ୟୋତି

ପଡ଼ୁଛି ବିକୀର୍ଣ୍ଣ ହୋଇ ଚୌଦିଗେ ସତତ,

ଲାଗିଛି ଜ୍ୟୋତିର କ୍ରୀଡ଼ା, ଜ୍ୟୋତିର ଉତ୍ସବ

ଅଥବା ଜ୍ୟୋତିର ଜ୍ୟୋତି ମୂର୍ତ୍ତିମନ୍ତ ଏଥି ।

 

ଶୋଭେ ଚାରୁ ବନମାଳା ବନମାଳୀ ବକ୍ଷେ,

ଘନ ବକ୍ଷେ ଇନ୍ଦ୍ରଧନୁ ଯଥା ବର୍ଷାକାଳେ,

ସ୍ୱର୍ଣ୍ଣ ଉପବୀତ, ଯଥା ବିଜୁଳି-ବିଳାସ ।

ଏ ସମୟେ ସତ୍ୟଭାମା ହୋଇ ଉପସ୍ଥିତ

 

ପ୍ରଣମିଲେ ପତିପଦେ, ପ୍ରଣମେ ଯେସନ

ଶେଫାଳିକା ଫୁଲକୁଳ ରାଜରାଜେଶ୍ୱରୀ

ଶରଦ ପୟରେ ପ୍ରାତେ, ହେଲା ମିଶାମିଶି

ମଣ୍ଡପ ଜ୍ୟୋତିରେ କୃଷ୍ଣ କୃଷ୍ଣପ୍ରିୟା ଜ୍ୟୋତି,

 

ଆହା, ସେ କି ଜ୍ୟୋତିରାଜ୍ୟ, ଲାଗିଅଛି କିବା

ଜ୍ୟୋତିରେ ଜ୍ୟୋତିରେ ତହିଁ ବିବାହ ଉତ୍ସବ !

ଦେବପତି ପଦପ୍ରାନ୍ତେ ବସିଲେ ସେ ଦେବୀ,

କି ଶୋଭା ସେ, ବସିଛି କି ସିନ୍ଧୁପଦତଳେ

 

ବେଳା-ସିନ୍ଧୁରାଣୀ; ଗଲା ମହାଧ୍ୟାନ ଭାଙ୍ଗି,

ଭାଷିଲେ ସସ୍ମିତେ କୃଷ୍ଣ ମଧୁର ବଚନେ-

‘ଅସମୟେ କିପାଁ ପ୍ରିୟେ ?’ ଉତ୍ତରିଲେ ଦେବୀ

‘‘ସେବକୀ ପକ୍ଷରେ ନାହିଁ ସମୟାସମୟ,

 

ସବୁବେଳେ ପ୍ରଭୁସେବା କର୍ମ, ଧର୍ମ ତାର,

ନିବସେ କି ଛାୟା କେବେ କାୟା ପାଶୁଁ ଦୂରେ ?’’

ଶୁଣି ଏହା ବାସୁଦେବ, କୃଷ୍ଣ ପୀତାମ୍ବର,

ଭାଷିଲେ ଆଦରବୋଳା ସ୍ନେହଗିରେ, ‘‘ଦେବି !

 

ତୁମ୍ଭ ମୁଖେ ଏକା ସିନା ସମ୍ଭବ ଏଭଳି

ଜ୍ଞାନଗର୍ଭ ସତ୍ୟ ବାଣୀ-ଧର୍ମାନୁପ୍ରାଣିତ,

ସାରୀ ସିନା ହରିନାମ କରେ ଉଚ୍ଚାରଣ,

ସମ୍ଭବିବ କାହୁଁ ତାହା ବାୟସୀ ତୁଣ୍ଡରେ ?

 

ଥାଏ ମୂଲ୍ୟବାନ ମଣି ସର୍ପିଣୀ ମସ୍ତକେ,

ନୁହେଁ ମହୀଲତାଶିରେ ।’’ ହସି ହସି ତହୁଁ

ଭାଷିଲେ ପ୍ରଣୟଭାଷେ କେଶବବାସନା-

‘‘ତେବେ ମୁଁ ନାଗୁଣୀ, ହେଉ ସତ୍ୟ ତୁମ୍ଭ ବାଣୀ,

 

ହେଲେ ନାଗ ଜାତି, ପ୍ରଭୁ କର ଆଶୀର୍ବାଦ,

ହୁଏଁ ଯେହ୍ନେ ବହୁଫଣ ଅନନ୍ତ ନାଗ ମୁଁ,

ତାହା ହେଲେ ହେବି ଧନ୍ୟ, ଲଭି ଶ୍ରୀଅଙ୍ଗର

ପୁଣ୍ୟ ସ୍ପର୍ଶସୁଖାମୃତ, ନିସ୍ତରିବି ନାଥ,

 

କି ସୌଭାଗ୍ୟ ଅଛି ଭଲ ଏଥୁ ବଳି ଭବେ ?

ଦେବ, ତବ ପୁଣ୍ୟପଦେ-ଅଭୀଷ୍ଟଦ ପଦେ

ପୁରସ୍କାରପ୍ରାର୍ଥିନୀ ଏ ସେବାଦାସୀ ଆଜି ।’’

‘‘କି ପୁରସ୍କାର ସେ ସତ୍ୟ !’’ ପୁଚ୍ଛନ୍ତେ କଂସାରି,

 

‘‘ବୀରତ୍ୱର ପୁରସ୍କାର’’, ଉତ୍ତରିଲେ ଦେବୀ ।

ଉଚ୍ଚ ହାସ୍ୟେ କୃଷ୍ଣ ତହୁଁ କହିଲେ କୌତୁକେ,

‘‘କି ବୀରତ୍ୱ ସତ୍ୟଭାମା-ଅବଳା ବୀରତ୍ୱ ?

କହୁ କହୁ କି ବୀରତ୍ୱ ପ୍ରକାଶି ବା କାହିଁ

 

ଆଣିଛ ବିଜୟଲକ୍ଷ୍ମୀ ଅଞ୍ଚଳରେ ବାନ୍ଧି,

ଶ୍ରବଣେ ମାନସ ମୋର ଉତ୍ସୁକ ସେ କଥା ।’’

ଭାଷିଲେ ଭାରତୀରୂପୀ ମହିଷୀ ଭାରତୀ-

‘‘ନୁହେଁ ଅବଜ୍ଞାତ ଦେବ, ଅବଳାବୀରତ୍ୱ,

 

ଅସାଧ୍ୟ ଯା ରୁଦ୍ରେନ୍ଦ୍ରାଦି ଅମର ଶକ୍ତିର,

ଅବଳା ଶକ୍ତିରେ ତାହା ସୁସାଧ୍ୟ ସର୍ବଥା ।

ଯେ କାଳେ ମହିଷାସୁର, ସୁନ୍ଦ, ଉପସୁନ୍ଦ,

ଅମର-ଅବଧ୍ୟ, କଲେ ସ୍ୱର୍ଗେ ଅତ୍ୟାଚାର,

 

ଦୁର୍ଦ୍ଦଣ୍ଡ ପ୍ରତାପେ ତାଙ୍କ କମ୍ପିଲା ତ୍ରିପୁର,

କେ ରଖିଲା ସୃଷ୍ଟି, ପ୍ରଭୋ ସେକାଳେ ତୁମ୍ଭର ?

ମୃଣାଳ-କୋମଠ, ସତ୍ୟ ଅବଳାର ଭୁଜ,

ମାନ ତହିଁ ନ୍ୟସ୍ତ ବଜ୍ରବିଭଞ୍ଜିନୀ ଶକ୍ତି ।’’

 

କହିଲେ ଶ୍ରୀକୃଷ୍ଣ ହସି, ‘‘ସତ ସତ୍ୟଭାମା,

ଅବଳା ନିରସ୍ତ୍ର ବୀର, ପାରନ୍ତି ସେ ଭେଦି

ବିନା ଅସ୍ତ୍ରେ ଲକ୍ଷ୍ୟ । ତୀକ୍ଷ୍ମ ଜିହ୍ୱା, ତୀକ୍ଷ୍ମ ନେତ୍ର

ଅମୋଘ ବ୍ରହ୍ମାସ୍ତ୍ର ଯାର, କେଉଁ ଲୋଡ଼ା ତାର

 

ପ୍ରାକୃତ ଧାତବ ଅସ୍ତ୍ରେ, ଛାର ସେ ତା କତି,

ନିଜେ ତ ଅବଳା ଅସ୍ତ୍ର, ତୀକ୍ଷ୍ମ କ୍ଷୁରଧାର,

କି ଲୋଡ଼ା ଅସ୍ତ୍ରର ଅସ୍ତ୍ର, ବିଫଳ ଭାର ସେ ?’’

‘‘ହୋଇଥିଲେ ସର୍ପ, ଏବେ ଅସ୍ତ୍ର ହେଲି ପୁଣି,’’

 

ଭାଷିଲେ ଲଳିତ ସ୍ୱରେ ଲଳିତଲତାଙ୍ଗୀ-

‘‘ହେଲେ ହେବି ସୁଦର୍ଶନ ଅସ୍ତ୍ର-ବିଶ୍ୱଧର୍ଷୀ,

ଲାଗିବି କାର୍ଯ୍ୟରେ ତବ, ଲାଗିବି ଆଦେଶେ ।

ନାଗ, ଅସ୍ତ୍ର, ଦୁଇଟି ମୋ ନବୀନ ଉପାଧି,

 

ପାହିଥିଲା ଶୁଭ ଯୋଗେ ନିଶି , ଲାଭ ତେଣୁ

ନବୋପାଧି ସ୍ମରଣୀୟ ଶୁଭ ଦିନ ଆଜି ।

ନିତ୍ୟ ଯେ ଉପାଧିବନ୍ତ ନବ ଉପାଧିରେ,

କୋଟି ବିଶ୍ୱ, କୋଟି ଗ୍ରହ, କୋଟି ଧୂମକେତୁ,

 

ଉପାଧିର ମାଳାରୂପେ ଲମ୍ବିତ ଯା ବକ୍ଷେ,

ନିରୁପାଧି ହୋଇ ସୁଦ୍ଧା ଯେ ଉପାଧିବନ୍ତ,

ଏ ବ୍ରହ୍ମାଣ୍ଡ ଯାହାଙ୍କର ଅନନ୍ତ ଉପାଧି,

କି ସ୍ଥାବର କି ଜଙ୍ଗମ ପ୍ରତ୍ୟେକ ରନ୍ଧ୍ରରେ

 

ହେଉଛି ଉପାଧି ଯାତ ନୀରବେ ଧ୍ୱନିତ,

ଉପାଧିର ଉପାଧି ଯେ, ମହାମହୋପାଧି,

ଏଡ଼େ ପ୍ରିୟ ଯାହାଙ୍କର ଉପାଧି ଶୟନେ,

ନ ମଣ୍ଡିବେ କିପାଁ ବା ସେ ଉପାଧିରେ ଆନେ ?’’

 

‘‘ପରାସ୍ତ ମୁଁ ପ୍ରିୟେ, ତବ ବାକ୍ୟଚାତୁରୀରେ,

କହ ତେବେ କି ବୀରତ୍ୱ ପ୍ରକାଶିଲ କାହିଁ ?’’

ଭାଷିଲେ ମହିଷୀ,’’ ନାଥ, କି ବୀରତ୍ୱ ଆଉ,

ସ୍ୱାମୀ ପାଶେ ରମଣୀର ଅଳିହିଁ ବୀରତ୍ୱ,

 

ଆସିଛି ଯେ କାର୍ଯ୍ୟେ, ତାର ସଫଳ ଆଦେଶ

ନ ଲଭିବାଯାଏଁ, କେବେ ନ ହେବି ନିରସ୍ତ

ଦାମ୍ପତ୍ୟ-ପ୍ରଣୟ-ରଣେ, କରୁଥିବି ସମେ

ଅବଳାଅଭ୍ୟସ୍ତ ଅସ୍ତ୍ର-ଲୋତକ ପ୍ରୟୋଗ,

 

ଏହାହିଁ ବୀରତ୍ୱ, ପ୍ରଭୋ, ଦୀନା ଅବଳାର,

ଶୁଣ ଏବେ ନିବେଦିବି ଅଭୀଷ୍ଟ ଶ୍ରୀପଦେ ।

ଦୁଗ୍‌ଧ ଦେଇ କାକୋଦରେ କଲେ ସମାଦର

ସେ ଯଥା ଦଂଶନ କରେ ଆଦରକର୍ତ୍ତାକୁ,

 

ତଥା ଯେବେ ପାପମତି ଗୋଶୃଙ୍ଗ ଦାନବ

ବିଶ୍ୱାସଘାତକ, ଆସି ଯଜ୍ଞନିମନ୍ତ୍ରଣେ,

ନିକ୍ଷେପି ଅନଳକୁଣ୍ଡେ ସାଗ୍ରଜ ତୁମ୍ଭଙ୍କୁ,

(ଯଜ୍ଞରେ ଦୀକ୍ଷିତ ହେତୁ ନିରେଖି ନିରସ୍ତ୍ର)

 

ପଳାଉଣଥିଲା ଦୃଷ୍ଟ ରଥେ ଘେନି ମୋତେ,

ସେ ପୋଡ଼ା ଦିନର ନାଥ, ଭୀଷଣ ଦୁଃସ୍ମୃତି

ନ ଯିବ ପାସୋର ମନୁ, ଆଜୀବନ କେବେ ।

ସ୍ୱଳ୍ପାୟୁ ସୁଖର ସ୍ମୃତି, ସ୍ୱଳ୍ପାୟୁ ଯେସନ

 

ତୁମ୍ଭ ଶତ୍ରୁ, କିମ୍ବା ମରୁସ୍ଥଳେ ବାରିବିନ୍ଦୁ,

ମାତ୍ର ଦୁଃଖସ୍ମୃତି, ପ୍ରଭୋ, ଚିର ଅପାସୋରା ।

ବ୍ରହ୍ମାଣ୍ଡ ବିଧ୍ୱଂସେ ଦକ୍ଷ ଯଦୁ-ଅନୀକିନୀ

ନ ପାରିଲା ଗତି ରୋଧି ସେ ଉଗ୍ର ଦୈତ୍ୟର,

 

ରୋଧିଲା କେବଳ ପାର୍ଥ, ଶରପୀଡ଼ା କରି,

ଶୁଣି ମୋ କ୍ରନ୍ଦନଧ୍ୱନି ବୀରଚୂଡ଼ାମଣି,

ଧାଇଁ ଆସି ଶର-ଦୁର୍ଗେ ବନ୍ଦୀ କରି ଦୈତ୍ୟେ

ପ୍ରେରିଲା ଶମନସୁରେ, ଈଷତ ସମରେ ।

 

କି ଅଦ୍ଭୁତ ଶିକ୍ଷା ତାର, ବାନ୍ଧିଲା ଚୌପାଶେ

ଶରରେ ପ୍ରାଚୀର, ଶିର ଲାଗିଲା ତାହାର

ତୁଙ୍ଗ ଚନ୍ଦ୍ରାଲୋକେ, ଊର୍ଦ୍ଧ୍ୱେ ଚାନ୍ଦୁଆ ଆକାରେ

ରହିଲା ଶୂନ୍ୟରେ ଶର ଲଗାଲଗି ହାଇ

 

ଊର୍ଦ୍ଧ୍ୱପୁଙ୍ଖ ନିମ୍ନମୁଖ ଭାବେ, ନ ରହିଲା

ରନ୍ଧ୍ର ତହିଁ, ଥାଉ ଆନ ନ ପାରିଲା ଭେଦି

ବାୟୁ କି ଆଲାକ ସେହି ଶର-ଚନ୍ଦ୍ରାତପେ ।

ହେଲା ଶରଦୁର୍ଗେ ବନ୍ଦୀ, ବନ୍ଦୀ ଯଥା ଟୋପେ

 

ମତ୍ତ ମାତଙ୍ଗଜ, ବିଧି ଶୃରସିଂହ ତାକୁ

ଉଦ୍ଧାରିଲା ମୋତେ, କଲା ପୁନର୍ଜନ୍ମ ଦାନା ।

ନ ପାରିଣ ଶୁଝି ଏହି ମହୋପକାରର

ମହାଋଣ ଲଜ୍ଜିତ ମୁଁ ଧନଞ୍ଜୟ କତି,

 

ଅର୍ଜ୍ଜୁନ ସହିତ ଦେଇ ଭଦ୍ରାର ବିବାହ

ଶୁଝିବି ସେ ଋଣ, ମାଗେ ଅନୁମତି ଦାସୀ ।’’

ଶୁଣି ଏହା ଉଚ୍ଚହାସ୍ୟେ ଭାଷିଲେ କେଶବ-

 

‘‘କାହାର ବିବାହ ସତ୍ୟଭାମା ସୁଭଦ୍ରାର ?

ଯେ ଆବାଲ୍ୟ ସନ୍ନ୍ୟାସିନୀ, ଚିର ଉଦାସୀନା,

ତାହାର ବିବାହ ! ସେବା, ଆତ୍ମତ୍ୟାଗ ଯାର

ଜୀବନର ଚିରବ୍ରତ, ଚିର ଅଲେଳ ଯେ,

 

ବୁଝିବକି, ସତ୍ୟଭାମା, ବିବାହ ମୂଲ୍ୟ ସେ ?’’

‘କିପାଁ ନ ବୁଝିବ’, ଦେବୀ ଭାଷିଲେ ଉଦ୍ଦେଗେ-

‘‘ନୁହେଁ ତ ସାମାନ୍ୟ ନାରୀ ଭଦ୍ରା-ଯଦୁଜେମା,

ମହାବଂଶେ ଜନ୍ମ ଯାର, ସ୍ୱୟଂ ନାରାୟଣ

 

ଯାର ଭ୍ରାତାରୂପୀ ଗୁରୁ, ପଣ୍ଡିତା ସେ ହରି !

କିପାଁ ବା ସେ ନ ବୁଝିବ ବିବାହର ମୂଲ୍ୟ ?

ବିବାହେ ପୁର୍ଣ୍ଣତା ଲଭେ ନାରୀର ଜୀବନ,

ନାରୀଜୀବନର ମହା ସଂସ୍କାର ବିବାହ,

 

ମୁଖ୍ୟ ଲକ୍ଷ୍ୟ ଏକା ସିନା ସେ ମହା ସଂସ୍କାର

ନାରୀଜୀବନର, ଦେବ, ତୁମ୍ଭ ଶିଷ୍ୟା ଭଦ୍ରା,

ନୁହେଁ ଅବିଦିତା ଏହା, ନାରୀଧର୍ମାଭିଜ୍ଞା ।

ତପସ୍ୱିନୀ ସତ ଭଦ୍ରା ମାତ୍ର ତା ତପସ୍ୟା

 

ବିବାହବିହୀନେ ବୃଥା, ଅସମ୍ପୂର୍ଣ୍ଣ ତାହା,

ତପସ୍ୱିନୀକୁଳଟିକା ସୀତା-ଜନକଜା,

ଅନସୁୟା, ଅରୁନ୍ଧତୀ, ଆତ୍ରେୟୀ, ଗୌତମୀ,

କେ ହୋଇଛି ପରିଣୟେ ବୀତସ୍ପୃହ କାହିଁ ?

 

ତେବେ ହୁଏ କୁମୁଦିନୀ ବିଧୁପ୍ରୟାସିନୀ,

ଥାଏ ନାହିଁ ଚିତ୍ତେ ତାର ନକ୍ଷତ୍ରପ୍ରୟାସ,

ମିଳେ ଯଦି ଯୋଗ୍ୟ, ପତି କିପାଁ ତେବେ ଭଦ୍ରା

ପ୍ରକାଶିବ ଅସମ୍ମତି ମଙ୍ଗଳ ଉଦାହେ ?

 

ମୋ ବିଚାରେ ଯୋଗ୍ୟ ସ୍ୱାମୀ ଅର୍ଜ୍ଜୁନ ତାହାର

ଦୁହେଁ ଦୁହିଙ୍କର ଯୋଗ୍ୟ, ପାର୍ଥ-ବ୍ରହ୍ମଚାରୀ,

ବ୍ରହ୍ମଚାରିଣୀ-ସୁଭଦ୍ରା, ପାର୍ଥ-ଆତ୍ମଞ୍ଜୟ,

ସୁଭଦ୍ରା-ଗୌରବ ଚିତ୍ର ତ୍ୟାଗ ମହିମାର,

 

ବିଷ୍ଣୁ ତବ ପ୍ରିୟ ଶିଷ୍ୟ, ଭଦ୍ରା ପ୍ରିୟ ଶିଷ୍ୟା,

ସବ୍ୟସାଚୀ-ପୂର୍ଣ୍ଣନର, ପୂର୍ଣ୍ଣନାରୀ ଭଦ୍ରା,

ସେ ବେନି ମିଳନ, ରାଜଯୋଟକ ନିଶ୍ଚୟା ।’’

ନୀରବନ୍ତେ ସତ୍ୟଭାମା ଭାଷିଲେ ଭବେଶ-

 

‘‘ସତ୍ୟ ସତ୍ୟ ! ଯା କହିଲ ଉପଯୁକ୍ତ ବର

ସୁଭଦ୍ରାର ବାସବେୟ, ମହା ଉପକାରୀ,

ଆବର ପରମାତ୍ମୀୟ ଯଦୁକୁଳର ସେ,

ଅର୍ଜ୍ଜୁନ ଆଦର୍ଶ ନର ହୋଇ କାଳାଧୀନ

 

ରଖିଛି ଅଧୀନ କରି ବାଳକୁ ସ୍ୱଗୁଣେ,

ପ୍ରଚଣ୍ଡ ଭାସ୍କର ପାର୍ଥ, ଅତିରଅକୁଳେ,

ଭଦ୍ରା ଫୁଲ୍ଲପଙ୍କଜିନୀ-ସୁଷମା ସାମ୍ରାଜ୍ୟେ,

ସର୍ବାଂଶରେ ଉପଯୁକ୍ତ ବେନିଙ୍କ ମିଳନ ।

 

କିନ୍ତୁ ସତ୍ୟ ! ଅଛି ଦୃଢ଼ ଅନ୍ତରାୟ ତହିଁ

ହେବେ କି ସମ୍ମତ ଆର୍ଯ୍ୟ ବଳରାମ ଏଥି ?

ପାଣ୍ଡବଙ୍କ ପ୍ରତି ସେ ତ ବୀତଶ୍ରଦ୍ଧ ସଦା ।’’

‘ଜାଣେ ମୁହିଁ ଦେବ’, ଦେବୀ ଭାଷିଲେ ଚଞ୍ଚଳେ

 

‘‘ବଡ଼ ଏକବୁଝା ବଡ଼ ଠାକୁର ସତତ,

ଛାଡ଼ିଯା ରେ ପାପ ଜ୍ୱିହ୍ୱା, କଲୁ ଗୁରୁନିନ୍ଦା,

ମାତ୍ର ଯଥା କ୍ଷଣରୁଷ୍ଟ, ଆଶୁତୁଷ୍ଟ ତଥା,

ପୁଣି ମହାଗୁଣଗ୍ରାହୀ, କରି ଯେ ଉଦ୍ଧାର

 

ଭ୍ରାତୁ ବଧୂକୁ ତାଙ୍କର, ଦାନବ କବଳୁ

ରକ୍ଷାକଲା କୁଳ ମାନ ମୋହର ବିଶ୍ୱାସ

କରିବେ ସେ ନିଶ୍ଚେ ତାର ସଦ୍ଗୁଣ ଗ୍ରହଣ-

ବୀରତ୍ୱର ଯୋଗ୍ୟ ପୂଜା, ଅର୍ପି ପୁରସ୍କାର,

 

ବୀର ନେତ୍ରେ ବୀରବୀର୍ଯ୍ୟ ମହାମୂଲ୍ୟବାନ,

ବୀରର ଗୌରବ ତୀର୍ଥ ବୀର ହୃଦ ଏକା ।

ବଡ଼ ଠାକୁରଙ୍କ ସ୍ନେହ ମୋ ପ୍ରତି ଅତୁଳ,

ମଣନ୍ତି ସେ ମୋତେ ସଦା ଅନୁଜା ସମାନ

 

ପ୍ରକାଶନ୍ତି ତେଣୁ ଦେବ, ମଧୁର ବାତ୍ସଲ୍ୟ,

ତାଙ୍କରି କରୁଣାମୃତ ଲଭି ସତ୍ୟଭାମା

ସତତ ଗର୍ବିତା ସିନା, ଜାଣିଲେ ସେ ମୋର

ଏହି ଶୁଭ ଅଭିଳାଷ, ଦେବେ ନାହିଁ ବାଧା ।

 

ଅଭାଗୀର ଭାଗ୍ୟଦୋଷେ ତଥାପି ଯଦ୍ୟପି

ନ ହେବେ ସସ୍ମତ, ତେବେ ମଣାଇବ ତୁମ୍ଭେ,

ରହିବ ଅଟଳ ଯହିଁ ଏ ସେବକୀପଣ

କର ସେ ଉପାୟ, ପ୍ରଭୁ, ଏତିକି ମାଗୁଣି ।

 

କହୁ ନାହିଁ ଗର୍ବ କରି କହୁଛି କେବଳ

ତୁମ୍ଭ ବଳେ, ତୁମ୍ଭ ଦୟା ଉପରେ ନିର୍ଭରି,

ଟଳିବ ପଛକେ ଗିରି, ଆକାଶ, ପାତାଳ,

ମାତ୍ର ନ ଟଳିବ, ପ୍ରଭୋ, ସତ୍ୟଭାମା ପଣ ।

 

ସାଧିବ ତୁମ୍ଭରିଦ୍ୱାରା ଏ କାର୍ଯ୍ୟ ନିଶ୍ଚୟ ।

ଜାଣେ ପ୍ରଭୁ, ଭବେ ତୁମ୍ଭେ ଜ୍ଞାନର ଅସାଧ୍ୟ,

ଧ୍ୟାନର ଅସାଧ୍ୟ, ପୁଣି ଧାରଣା-ଅସାଧ୍ୟ,

ମାତ୍ର ନୁହେଁ, ହେ ସଦୟ ! ଅସାଧ୍ୟ ଭକ୍ତିର;

 

କାୟମନୋବାକ୍ୟେ ଯେବେ ଥିବ ଏ ଦାସୀର

ସେ ଅପାପବିଦ୍ଧ ପଦେ ଭକ୍ତି ଐକାନ୍ତିକୀ,

ଆଣି ଦେବ ତେବେ ସେହି ଭକ୍ତି ମୋର ମୋତେ

ସମ୍ପୂର୍ଣ୍ଣ ସାଫଲ୍ୟ, ଧ୍ରୁବ ଏ ଧାରଣା ମୋର ।

 

ତୁମ୍ଭେ ମୋ ସର୍ବସ୍ୱ, ନାଥ, ତୁମ୍ଭ ଯୋଗେ ସିନା

ସତ୍ୟଭାମା ମାନ୍ୟ, ଗଣ୍ୟ, ଧନ୍ୟ ଏ ମହୀରେ,

କାମନା, ବାସନା, ଇଚ୍ଛା, ସବୁ ତୁମ୍ଭେ ମୋର,

ଅନେକ ଅଛନ୍ତି, ଦେବ, ମୋ ପରି ତୁମ୍ଭର,

 

ମାତ୍ର ତୁମ୍ଭ ପରି ମୋର ନାହିଁ କେହି ଆନ ।’’

ଏହା ଭାଷି ଦେବୀ କଲେ ନେତ୍ର ଛଳଛଳ,

ଶଶବ୍ୟସ୍ତେ ତହୁଁ କୃଷ୍ଣ ଦେବୀଙ୍କ ନୟନୁ

ପୋଛି ଦେଇ ସେ ପ୍ରେମାଶ୍ରୁ (ପୋଛିଦିଏ ଯଥା

 

ପଙ୍କଜିନୀ ନେତ୍ରୁ ରବି ହିମାଶ୍ରୁ କଣିକା

ଦିବସ ଶୈଶବ କାଳେ, ସ୍ୱର୍ଣ୍ଣକର-କରେ)

ଭାଷିଲେ ସସ୍ନେହ ଗିରେ-‘‘ସ୍ଥିର ହୁଏ ସତ୍ୟ !

କର ଧୈର୍ଯ୍ୟାବଲମ୍ବନ, ତେଜ ବୃଥା ଚିନ୍ତା,

 

ଯଥାକାଳେ ହେବ କାର୍ଯ୍ୟ, ନ ହୁଅ ଚଞ୍ଚଳ ।

ଯାଉଥାନ୍ତା ହୋଇ ଯେବେ ଚିନ୍ତା ମାତ୍ରେ କାର୍ଯ୍ୟ,

ତେବେ ତ ବିଫଳ ଆଦୌ ନୁହନ୍ତା ଗୋଟିଏ

ଭବେ ନର ଜୀବନର ଅନନ୍ତ କଳ୍ପନା ।

 

ସମ୍ପ୍ରତି ପ୍ରଭାସ ତୀର୍ଥେ ଅଛନ୍ତି ବାସବି,

ଅଦ୍ୟ ଯାଇ ଆଣିବ ମୁଁ ଆମନ୍ତ୍ରି ତାହାଙ୍କୁ,

ଆସୁ ପାର୍ଥ, କାଲି ହେବ ବିବାହପ୍ରସ୍ତାବ

ଯଦୁରାଜସଭା ମଧ୍ୟେ, ନ କର ଭାବନା,

 

ହେବ ନିଶ୍ଚେ ପ୍ରିୟେ, ତବ ବାସନା ସଫଳ ।

ସ୍ୟନ୍ଦନସଙ୍କେତ ଶବ୍ଦ ଶୁଭନ୍ତେ ଏକାଳେ

ସିଂହଦ୍ୱାରେ ଘନଘନ, ଭାଷିଲେ ଶ୍ରୀକୃଷ୍ଣ-

‘‘ଶୁଣ ଦେବି ! ଶୁଣ ଏହି ଶୁଭୁଛି ଶବଦ,

 

ଆଣିଲାଣି ରଥ ମୋର ସାରଥି ଦାରୁକ,

ଯିବି ମୁଁ ପ୍ରଭାସେ, ତୁମ୍ଭେ ଯାଅ ଅନ୍ତଃପୁରେ ।’’

ଏହା ଭାଷି ଯଦୁନାହା, ମନ୍ଦ ମନ୍ଦ ହସି

ଉଠିଲେ ଆସନୁ, ତହୁଁ ଦେବୀ ସତ୍ୟଭାମା

 

କରି ସେହି ହାସ୍ୟ-ସୁଧା ନେତ୍ର-ତୁଣ୍ଡେ ପାନ,

ନମି ପଢ଼ିପଦେ, ଗଲେ ଶୁଦ୍ଧାନ୍ତାଭିମୁଖେ।

 

ଚତୁର୍ଥ ସର୍ଗ

ପର୍ବୋତ୍ସବ ଉପଲକ୍ଷେ ଧନୀ-ଗୃହଲକ୍ଷ୍ମୀ,

ପିନ୍ଧି ଯାଥା ବହୁମୂଲ୍ୟ ପାଟ, ପୀତାମ୍ବର,

 

ମଣ୍ଡିହୁଏ ଅଳଙ୍କାରେ-ଥାଏ ରହେ ଯେତେ,

ଶୁନ୍ୟ କରି ମଣିରତ୍ନ ଭୂଷଣ-ମଞ୍ଜୁଷା,

ତଥା ଆଜି ଦ୍ୱାରାବତୀ ହୋଇ ସୂସଜ୍ଜିତ,

ମହେଷ୍ୱାସ ଅର୍ଜୁନଙ୍କ ଅଭ୍ୟର୍ଥନା ଆଶେ

 

ଉବ୍ଦେଗ ପ୍ରତୀକ୍ଷା ନେତ୍ରେ ରହିଅଛି ଚାହିଁ ।

ପ୍ରତିଦ୍ୱାରେ ପୂର୍ଣ୍ଣକୁମ୍ଭ, ଥୁଆ ତହିଁପରେ

ରସାଳ ପଲ୍ଲବ ସହ ପୂଗ, ପୟଃପେଟୀ,

ହୋଇଛି ରୋପିତ ପ୍ରତିଦ୍ୱାର ଦୁଇ ପାଶେ

 

ଫଳବାନ ରମ୍ଭାତରୁ, ଟଙ୍କା ହାର ଊର୍ଦ୍ଧ୍ୱେ

ସପଲ୍ଲବ ସୁକୁସୁମ ସୁନ୍ଦର ତୋରଣା ।

ଦେହଳୀ, ଅଳିନ୍ଦ-ପୂର୍ଣ୍ଣ ମଙ୍ଗଳ ଝୁଟିରେ,

ବିନା ବକ୍ଷ ବଲ୍ଲରୀରେ ଫୁଟିଛି କି ଆହା

 

ଭୂମିରେ ବିବିଧ ଫୁଲ, ଅଥବା ଅଙ୍କିତ

ଶୁକ୍ଳାକ୍ଷରେ ନଗରୀର ପବିତ୍ର ହୃଦୟେ

ସମୁଦାର ଭାବରାଶି-ବନ୍ଧୁ ମିଳନର ।

ବାହାରୁଛି ପ୍ରତିଘରୁ ଧୂପ ପୁଷ୍ପ ଗନ୍ଧ,

 

ଅବଗାହି ସେ ସୁଗନ୍ଧ-ଅମୃତ-ସାଗରେ

ଗନ୍ଧବହୁ, ରାଜପଥେ କରୁଛି ପ୍ରଚାର-

ସଜ୍ମନି ସଙ୍ଗରେ ଦିବ୍ୟ ଅଦ୍ଭୁତ ମହିମା ।

ପଥ ଘାଟ ପରିଷ୍କୃତ, ଶିଶୁହୃଦ ଯଥା,

 

ଝୁଲେ ପଥ ବେନି ପାର୍ଶ୍ୱେ ଚାରୁ ଓରମାଳ

ପୁଷ୍ପମାଳ ସହୁ, କେତେ ବିଶାଳ ତୋରଣ

ହୋଇଛି ନିର୍ମିତ ପଥେ ପ୍ରତିଶୃଙ୍ଗାଟକେ,

ସ୍ତମ୍ଭ ତାର ବହୁବର୍ଣ୍ଣୀ ବସନେ ମଣ୍ଡିତ,

 

ସଳଖାଇ ଇନ୍ଦ୍ରଧନୁ ଯନ୍ତ୍ରକୌଶଳରେ

ତହିଁ ବା ତୋରଣ ସ୍ତମ୍ଭ ହାଇଛି ରଚିତ ।

କେବଣ ତୋରଣେ ଲେଖା ସୁବର୍ଣ୍ଣ ଅକ୍ଷରେ

ଅର୍ଜୁନର ନାମାବଳୀ, କାହିଁରେ ଅଙ୍କିତ-

 

‘‘ସ୍ୱାଗତ ଭାରତରତ୍ନ ପାର୍ଥ ଯଦୁବନ୍ଧୁ,

ବୀରତ୍ୱ-ଗୌରବ-ଗିରି-ଊଜସ୍ୱଳ ଚୂଡ଼ା’’

କାହିଁବା ଲିଖିତ-‘‘ଜୟ ଧନଞ୍ଜୟ ଜୟ ।’’

ଉଠୁଅଛି ବାଦ୍ୟରୋଳ ସିନ୍ଧୁନାଦ ପ୍ରାୟ ,

 

ହେଉଛି ତା ରୌବତକ କନ୍ଦରେ କନ୍ଦରେ

ସୁପ୍ରତିଧ୍ୱନିତ, ଯେହ୍ନେ ରସିକ ରୌବତ

କରୁଛି କୌତୁକେ ବ୍ୟଙ୍ଗ ବିଦ୍ରୂପ ସେ ଶବ୍ଦେ ।

ମହାପ୍ରାଣ, ମହାବୀର ପାର୍ଥଦର୍ଶନାଶେ

 

ବହୁଅଛି ଜନସ୍ରୋତ ସହସ୍ରମୁଖରେ,

ପଥ, ଘାଟ ଗୃହପିଣ୍ଡ, ପ୍ରାଙ୍ଗଣ, ପ୍ରାନ୍ତର

ପରିପୂର୍ଣ୍ଣ ଜନବଗେ, ବହୁ ରଥ, ଗଜ

ସନ୍ତରି ସେ ଜନ-ସିନ୍ଧୁ କରେ ଯାତାୟାତ ।

 

ମଣି-ମାଣିକିତ ରଥ, ସୁବର୍ଣ୍ଣ ଅମାରି,

ଦିଶେ ଯଥା ଚଳସୌଧ ରତ୍ନପତାକିତ ।

ଲାଗିଅଛି ସ୍ଥାନେ ସ୍ଥାନେ ଆମୋଦ କୌତୁକ,

କାହିଁ ନୃତ୍ୟ, କାହିଁ ବାଦ୍ୟ, କାହିଁବା ସଙ୍ଗୀତ,

 

କାହିଁ ଅବା ଏକାଧାରେ ତିନିଙ୍କ ମିଳନ,

କାହିଁ ମଲ୍ଲକ୍ରୀଡ଼ା କାହିଁ ଅବା ବାଣପୋଡ଼ା

ଲାଗିଛି ସାଟୋପେ ଅହୋ କି ଅଦ୍ଭୁତ ଦୃଶ୍ୟ

ଅଗ୍ନିଚୂର୍ଣ୍ଣ * ମହାକ୍ରୀଡ଼ା, କେଡ଼େ କମନୀୟ,

* ବାରୁଦ

 

ବିସ୍ମୟେ ସ୍ତମ୍ଭିତ ହେରି ଦର୍ଶକନିକର ।

ଦିବସରେ ବାଣକ୍ରୀଡ଼ା ଚମତ୍କାରପ୍ରଦ,

ବିଜ୍ଞ ଇନ୍ଦ୍ର ଜାଲକାର ପ୍ରାୟ ବାଣକାର

ଦେଖାଉଛି ନବ ନବ ଇନ୍ଦ୍ରାଜାଲ ନଭେ,

 

ପ୍ରଥମେ ମୟୁର ବାଣେ ଲଗାଲଗି ଅଗ୍ନି,

ଉଠିଯାଇ ଶୂନ୍ୟେବାଣ ହାବେଳୀ ଆକାରେ

ଗଲା ଫାଟି, ମୁହୂର୍ତ୍ତକେ ଲକ୍ଷ ଲକ୍ଷ ତହୁଁ

ବାହାରି ସୁବର୍ଣ୍ଣ ଶିଖୀ, ଉଡ଼ିଲେ ବିସ୍ତାରି

 

ଉଜ୍ଜ୍ୱଳ ଆଗ୍ନେୟ ପକ୍ଷ, ମୁହୂର୍ତ୍ତକେ ପୁଣି

ଗଲେ ସେ ଉଭେଇ କାହିଁ । ଆଉ ଏକ ବାଣେ

ଦେଖାଗଲା ଶୂନ୍ୟ ମତ୍ତ ମତଙ୍ଗଜଦ୍ୱୟ

ରତ ଘୋରଯୁଦ୍ଧେ, ଦନ୍ତେ ଦନ୍ତେ ଶୁଣ୍ଢେ ଶୁଣ୍ଢେ

 

ମୁଣ୍ଡେ ମୁଣ୍ଡେ ହୋଇ ଦୃଢ଼େ ଜଡ଼ାଜଡି କ୍ରୋଧେ,

କରୁ କରୁ ଯୁଦ୍ଧ ଦୁହେଁ ଗଲେ ଖରେ ପୋଡ଼ି ।

ଅନ୍ୟ ବାଣେ କୋଟି କୋଟି ଜନ୍ମି ନୀଜ ନାଗ,

ଗର୍ଜି ସଇଁ ସଇଁ ସ୍ୱରେ, ତୋଳି ରୁଦ୍ର ଫଣା

 

ଖେଳିଲେ ଆକାଶେ, ବ୍ୟଗ୍ରେ ବିଶୃଙ୍ଖଳଭାବେ,

ଉଲ୍କାପିଣ୍ଡ ପ୍ରାୟ, ତହୁ ଉଠିଲା ସଘନେ

ଦର୍ଶକମଣ୍ଡଳୀ ମଧ୍ୟୁ ହର୍ଷ କରତାଳି,

କ୍ଷଣକ ଉତ୍ତାରେ ହେଲା ଅନ୍ତର ସେ ଦୃଶ୍ୟ ।

 

ଅନନ୍ତର ଅନ୍ୟ ବାଣେ ହେଲା ଅକସ୍ମାତ

ଶୂନ୍ୟେ ଉପବନ ସୃଷ୍ଟ, ସ୍ୱର୍ଣ୍ଣ ବୃକ୍ଷେ ତହିଁ

ଫୁଟିଅଛି ଫଳିଅଛି ସ୍ୱର୍ଣ୍ଣ ଫୁଲଫଳ,

ଦେଖୁ ଦେଖୁ ତାହା ପୁଣି ଗଲାକ ଉଭେଇ ।

 

ଦିଶିଲା ଅପର ବାଣେ ଗଗନେ ଏସନ-

ଐରାବତ ପୃଷ୍ଠେ ବିଜେ ଇନ୍ଦ୍ର ସୁନାସୀର,

ସୁନାର ମୁକୁଟ ଶିରେ, କରେ ସ୍ୱର୍ଣ୍ଣ ବଜ୍ର,

ଚତୁର୍ଦ୍ଦନ୍ତ ଐରାବତ-ଅନଳ ଉଜ୍ଜ୍ୱଳ,

 

ସତେ ଯେହ୍ନେ ଦେବରାଜ ଆରୋହି ବାରଣେ

ଆସୁଛନ୍ତି ମର୍ତ୍ତ୍ୟେ ଖସି ଭୀଷଣ ଗତିରେ,

ମାତ୍ର ଆସି ଖଣ୍ଡେ ଦୂର ଗଲେ ସେ ମିଳାଇ ।

କାହିଁ ବା ଉଡ଼ାନ୍ତି ଜନେ ପ୍ରଦୀପପଞ୍ଜରୀ

 

ହସ୍ତୀ, ଅଶ୍ୱ, ବ୍ୟାଘ୍ର, ସିଂହ ବିବିଧାକୃତିର,

ହୁଡ଼ ମାରି ଯେହ୍ନେ ଏହି ପ୍ରବଳ ପଶୁଏ

ବିନା ପକ୍ଷେ ଉଡ଼ୁଛନ୍ତି ଅଦ୍ଭୁତ କୌଶଳେ ।

ଆଶାରାଜ୍ୟେ ପଥଭ୍ରାନ୍ତ ପଥିକ ସମାନ

 

ବୁଲି ବୁଲି ବହୁସ୍ଥାନେ ଦର୍ଶକମଣ୍ଡଳୀ

ଦେଖୁଛନ୍ତି ହର୍ଷେ ଏହି ଲୋଭନୀୟ ଦୃଶ୍ୟ ।

 

ଦିଶିଲା ଅଦୂରେ ନଭେ ଗରୁଡ଼-କେତନ,

ଶୁଭିଲା ଘର୍ଘର ଶବ୍ଦ ସ୍ୟନ୍ଦନପାଦର,

 

କୃଷ୍ଣାର୍ଜୁନ ବିଜେ ଜାଣି ଧାଇଁଲେ ସକଳେ,

ଦିଶିଲା କ୍ରମଶଃ ରଥ, ସାରଥି, ତୁରଙ୍ଗ,

ଚୋବାଇ ମୁଖସ ଅଶ୍ୱେ, ଗ୍ରୀବା ଭାଙ୍ଗି ଗର୍ବେ,

ଚାଲିଛନ୍ତି ମୃଦୁ ମନ୍ଦ ନର୍ତ୍ତନ ଗତିରେ *

* କଦମ

 

ଚାଲିଛନ୍ତି ରହୁବରେ ଘେରିଣ ଯାତ୍ରିକେ,

ତିମିଶିଶୁବୃନ୍ଦ ଯଥା ତିମି ଚଉପାଶେ ।

କୃଷ୍ଣାର୍ଜୁନ ବିଜେ ରଥେ, ଦେଖିଣ ବନ୍ଦୀଏ

ଗାଇଲେ ମଧୁରେ ସ୍ତୁତି, ଉଠିଲା ଉଛୁଳି

 

କୁଳବାକାକୁଳ-ଶଙ୍ଖ ହୁଳହୁଳୀ ଧ୍ୱନି,

ଚୌପାଶୁ କୁସୁମବୃଷ୍ଟି ହେଲା ରଥ ପରେ

ସେ କୁସୁମ ରଥ, ପଥ ହେଲା ପରିପୂର୍ଣ୍ଣ ।

ଦୁଇ କୃଷ୍ଣ କିବା ଆଜି ବିଜେ ଏକାସନେ,

 

କିବା ଦୁଇ ଚନ୍ଦ୍ର ଉଦେ ଏକଇ ମଣ୍ଡଳେ,

ଦେହପ୍ରଭା ରଥ ପୂରି ପଡ଼ୁଛି ଉଛୁଳି,

ଉତ୍ତରଳ ଦୁଗ୍ଧ ଯଥା ପାତ୍ର ଚଉପାଶେ ।

ଯେହ୍ନେ ଏକ ମୂର୍ତ୍ତି, ଆନ ପ୍ରତିବିମ୍ବ ତାର,

 

କିମ୍ବା ଯଥା ଏକ ଛାଞ୍ଚେ ଢଳା ଦୁଇ ମୂର୍ତ୍ତି,

ନ ଥିଲେ ଗୈରିକ ବାସ-ସନ୍ନ୍ୟାସସଙ୍କେତ

ଧନଞ୍ଜୟ କଳେବରେ, ବୀରେଶ-ଗୌରବ,

କିଏ କୃଷ୍ଣ, କିଏ ପାର୍ଥ, ନ ହୁଅନ୍ତା ଚିହ୍ନି ।

 

ବିଜେ ଯଥା ଏକାସନେ ସାହସ ବିକ୍ରମ,

କିମ୍ବା କର୍ମ ଅପବର୍ଗ, ନତୁ ପ୍ରାଣ ଆତ୍ମା ।

ନିଖିଳ ପ୍ରତିଭା-ଢେଉ ଖେଳେ ଏକମୁଖେ,

ଆନ-ମୁଖେ-ମାଧ୍ୟନ୍ଦିନ ରବିରଶ୍ମି ସହ

 

ଖେଳୁଛି ଶାରଦ-ପର୍ବଜ୍ୟୋସ୍ନାମଧୁରିମା,

କରିଅଛି ଆଲିଙ୍ଗନ ରୌଦ୍ରେ ଜ୍ୟୋସ୍ନା । ଯଥା ।

ଅର୍ଜୁନ ପୁରୁଷ ମୂର୍ତ୍ତି-କ୍ଷତ୍ରିୟ ଶକ୍ତିର,

ଶାନ୍ତିର ମୋହନ ମୂର୍ତ୍ତି ଦୈବକୀ-ନନ୍ଦନ,

 

ଭାବ-ଉତ୍ସ ଉପତ୍ୟକା-ଜଣଙ୍କର ବକ୍ଷ,

ଶୌର୍ଯ୍ୟର ବିଳାସ-କ୍ଷେତ୍ର-ବକ୍ଷ ଅପରର,

କର୍ମେ ଦୁହେ ସୁଖୀ, ସଦା ସୁଖ-ଶ୍ରମ-ଶ୍ରାନ୍ତ,

ଅଧିକନ୍ତୁ ବେନିଙ୍କର ପ୍ରସନ୍ନ ନୟନୁ

 

ବହେ ସଦା ବିଶ୍ୱପ୍ରେମ-ସଞ୍ଜୀବନୀ ସୁଧା ।

ଏକେତ ଦ୍ୱାରକା ପୁରୀ ଦେବଲୋଭନୀୟ,

ଦୁଯେ ତହିଁ ଫୁଟିଅଛି ଉତ୍ସବ ଲାବଣ୍ୟ,

ସ୍ୱଭାବସୁନ୍ଦର ଫୁଲ, ହୁଏ ସେ ଯଦ୍ୟପି

 

ଜ୍ୟୋସ୍ନାମୃତେ ସଂମାର୍ଜିତ, କି ଲକ୍ଷ୍ୟ ତାହାକୁ !

ଦେଖିଲେ ସେ ପୁରୀ ପାର୍ଥ ନିର୍ନିମେଷ ନେତ୍ରେ

ଚାଲିଛି ରଥ୍ୟାରେ ରଥ, ଅ ଖରଗତିରେ,

ପ୍ରଶସ୍ତ ସେ ରମ୍ୟ ପଥ, ପ୍ରଶସ୍ତ ଯେସନ

ଉଦାରନୈତିକ ହୃଦ, ଆବର ସୁଦୃଢ଼

 

ମୃଢ଼ର ବିଶ୍ୱାସ ଯଥା, ନିର୍ଗତ ସେ ପଥ

ରାଜପୁରୀ ପଦ ମୁଳୁ, ଦେଖି ତାହା ଦୂରୁ

ପ୍ରତେ ହୁଏ ଦର୍ଶକର ମାନସେ ଏସନ

କରୁଛି କି ଦଣ୍ଡବତ ବ୍ୟବସ୍ଥାପୟରେ

 

ନୀତି, କିମ୍ବା ତରଙ୍ଗିଣୀ ଚାରୁ ବୋଳାପଦେ ।

ଦୁଇ ପାର୍ଶ୍ୱେ ହର୍ମ୍ୟାବଳୀ ତୁଙ୍ଗ ସୂଚଟୁଳ,

ହସେ ଚାହିଁ ପରସ୍ପରେ, ପ୍ରତି ସୌଧ ଆଗେ

ରାଜେ ରମ୍ୟ ଉପବନ-ପୃଷ୍ଠ-ତାରକିତ,

 

ସମ୍ମୁଖେ ଅଟ୍ଟାଳୀ ଯେହ୍ନେ ଥୋଇ କି ଚିଟାଉ

ପଡ଼ୁଛି ତନ୍ମୟେ, ନୀଳ କାକତଖଣ୍ଡରେ

ଲିଖିତ ସେ ବିଶୃଙ୍ଖଳ କୁସୁମ-ଅକ୍ଷରେ ।

ଯାଉଁ ଯାଉଁ ଏକ ସ୍ଥାନେ ଦେଖିଲେ ଅର୍ଜୁନ

 

ଶଙ୍ଖ ସୌଧ, ଲାଗିଅଛି ଆରୋହିଣୀ ୧ ତହିଁ

ଲୋହିତ ମର୍ମରେ, ଶିରେ ସୁବର୍ଣ୍ଣ କଳସ

‘ବସୁଦେବ ଗ୍ରନ୍ଥାଗାର’ ଲିଖିତ ତହିଁରେ ।

ଭିତ୍ତିରେ ପୁରାଣ ଚିତ୍ର ଅଙ୍କିତ ତାହାର,

 

କାହିଁ ଚଣ୍ଡୀଯୁଦ୍ଧ କାହିଁ ରାମାୟଣ-ଋଣ,

କାହି ବୃତ୍ର ବାସବର ଅଦ୍ଭୁତ ସମର,

ଏହିପରି କେତେ ଛବି ଅଙ୍କା କେତେ ସ୍ଥାନେ,

ସତେ ଯେହ୍ନେ ସେ ସୌଧଟି ଜୀବିତ ମୂରତି-

 

ଇତିହାସ, ପୁରାଣର, ଧରି ଉଭା ସେହୁ

ଅତୀତର ସତ୍ୟରାଶି, ଉଠୁଅଛି ଫୁଟି

ପ୍ରତି ଚିତ୍ରୁ ସୁଶିଳ୍ପୀର ଅନନ୍ତ ପ୍ରତିଭା ।

ନିରେଖି ସେ ସୌମ୍ୟ ହର୍ମ୍ୟ, ଜିଜ୍ଞାସୁ ନୟନେ

 

ଚାହାଁନ୍ତେ ଶ୍ରୀକୃଷ୍ଣ ମୁଖ ତୃତୀୟ କୌନ୍ତେୟ,

ଭାଷିଲେ କଂସାରି, ‘‘ସଖେ, ଏ ଗ୍ରନ୍ଥଭଣ୍ଡାର

ସ୍ଥାପିତ ପବିତ୍ର ନାମେ ପିତୃଦେବଙ୍କର,

ସଭ୍ୟତାର ଆଦିପୀଠ ଏ ପୁଣ୍ୟ ଭାରତେ-

 

ଜ୍ଞାନର ବୌକୁଣ୍ଠଧାମ ବିରାଟ ଭାରତେ,

ଅଛି ଯେତେ କାବ୍ୟ, ଶାସ୍ତ୍ର, ପୁରାଣ, ନାଟକ,

ଜ୍ୟୋତିର୍ବେଦ, ଆୟୁର୍ବେଦ, ଧନୁର୍ବେଦ ଆଦି,

ସକଳ ରକ୍ଷିତ ଏଥି, ସ୍ଥୂଳତଃ ଏଥିରେ

 

ନାହିଁ ଯାହା, ନାହିଁ ତାହା ନିଖିଳ ଭାରତେ ।

କେତେ ଗ୍ରନ୍ଥ ତାଳପତ୍ରେ ଲେଖନ ଲିଖିତ,

କେତେ ଭୁର୍ଜପତ୍ରେ ଲେଖା-ଅଳକ୍ତକଜଳେ,

ଗ୍ରନ୍ଥର ଅନନ୍ତ ସିନ୍ଧୁ ଏହି ଗ୍ରନ୍ଥାଗାର,

 

ଅଛି ଏଥି ଯେତେ ଗ୍ରନ୍ଥ, ନାହିଁ ସଂଜ୍ଞା ତାର

ସଂଖ୍ୟାଶାସ୍ତ୍ରେ, ପ୍ରତିଦିନ ନାଗରିକେ ଏଥି

କରନ୍ତି ପୁସ୍ତକ ପାଠ ସମବେତ ହୋଇ ।

ଏଣେ ଦେଖ, ‘ଉଗ୍ରସେନ ପ୍ରଦର୍ଶନୀ’ ଏହି,

 

କପର୍ଦ୍ଦକେ ବିନିର୍ମିତ ଆପାଦମସ୍ତକ,

ଅନନ୍ତ ସମୃଦ୍ଧିପୂର୍ଣ୍ଣ, ଏ ହର୍ମ୍ୟ ସମ୍ପଦ

ଭାରତ ସୀମାରେ ନୁହେଁ ଆବଦ୍ଧ କେବଳ,

ଆସମୁଦ୍ର ମହୀ ମଧ୍ୟେ ମିଳେ ଯାହା ଯହିଁ

 

କୃଷିଜାତ, ଶିଳ୍ପଜାତ ଉତ୍କୃଷ୍ଟ ପଦାର୍ଥ,

ସଂଗୃହୀତ ଏଥି ସର୍ବ, ପ୍ରତିଦ୍ରବ୍ୟ ସହ

ରହିଛି ଲିଖିତ ତାର ପ୍ରସ୍ତୁତପ୍ରଣାଳୀ ।

ଚିର ଅବାରିତ ଏହି ପ୍ରଦର୍ଶନୀଦ୍ୱାର,

 

ପ୍ରଜାଏ ଆଦର୍ଶ ଦେଖି କରନ୍ତି ତାହାର

ଅନୁକୃତି, ଧନାଗମ ଶୁଭ ପନ୍ଥା ଏହା ।

ନୁହେ ଯେଉଁ ରାଜ୍ୟ, ସଖେ ସକ୍ଷମ ସର୍ବଥା

ନିତ୍ୟ ନବ ଉତ୍ପାଦନେ, ଶ୍ରୀବୃଦ୍ଧିହୀନ ସେ,

 

ନ ପଡ଼େ ତା ନାମେ ଗାର ଉନ୍ନତି-ଖାତାରେ ।

ଏହି ଯେ ଦିଶୁଛି ସୌଧ କୌମୁଦୀଧବତ,

‘ସାନ୍ଦୀପନି ୨ ଆଶ୍ରମ’ ସେ, ଗଜଦନ୍ତେ ଗଢ଼ା,

ଆମ୍ଭେ ବେନି ସୋଦରଙ୍କ ଶିକ୍ଷାଗୁରୁ ଋଷି,

୧-ନିଶୁଣୀ । ୨-କୃଷ୍ଣ, ବଳରାମଙ୍କର ଗୁରୁ ।

 

(ନିୟତ ନିର୍ବେଦମଗ୍ନ ଚିର ତପଃପ୍ରାଣ)

ତାଙ୍କ ସ୍ମୃତିରକ୍ଷାକଳ୍ପେ ନିର୍ମିତ ଏ ହର୍ମ୍ୟ ।

ହୁଅନ୍ତି ପାଳିତ ପୁଣି ଶିକ୍ଷିତ ଦୀକ୍ଷିତ

 

ଅନାଥ ବାଳକେ ଏଥି ଅନ୍ତ୍ୟଜଜାତୀୟ,

କରିଦିଏ ଏ ପାବନ ଆଶ୍ରମ ତାଙ୍କର

ଜୀବନ ଗଠନ, ଗମ୍ୟ ସରଣୀ ସରଳ,

ଗଢ଼ିଦିଏ ଭାବୀ ଭାଗ୍ୟ ସୁନ୍ଦର ଗଠନେ ।

 

ତହିଁ ପାଶେ ତିମିଙ୍ଗିଳ କଙ୍କାଳେ ନିର୍ମିତ

ତୁଙ୍ଗ ହୁର୍ମ୍ୟରାଜି, ଯାର ପୃଥୁ ସ୍ତମ୍ଭାବତୀ

ସଂଗଠିତ ସାମୁଦ୍ରିକ ଚିତ୍ର ଶୁକ୍ତିକାରେ,

ସମ୍ମୁଖ ତୋରଣ ଶିରେ ଶୋହେ କୁଞ୍ଜଲତା

 

ସୁବର୍ଣ୍ଣଖଡିକା ମଞ୍ଚେ, ପୁଞ୍ଜ ପୁଞ୍ଜ ଫୁଲେ,

କି ସୁନ୍ଦର ରକ୍ତପୁଷ୍ପ, ନୀଳ ଲତାକୁଞ୍ଜେ,

ଫୁଟିଛି କି ରଜୋଭାବ ତାମସ ହୃଦୟେ ।

ଅନ୍ନଛତ୍ର ସେ ଅଟ୍ଟାଳୀ ମାତୃଦେବୀଙ୍କର,

 

ଚିହ୍ନିତ ‘ଦୈବକୀ ଛତ୍ର’ ଅଭିଧାରେ ସେହୁ ।

ଲକ୍ଷ ଲକ୍ଷ ଦୀନଦୁଃଖୀ ନିରାଶ୍ରୟ ଜନେ

ବିତରିତ ହୁଏ ତହି ଅନ୍ନ ପ୍ରତିଦିନ ।

ବିମାତାଙ୍କ ସଂସ୍ଥାପିତ ଦେଖ ତହିଁ ପାଶେ-

 

‘ରୋହିଣୀ ଚିକିତ୍ସାଳୟ’ ପରିଚାଳିତ ସେ

ବହୁ ସୂପ୍ରବୀଣ ଶିଷ୍ଟ ଚିକିତ୍ସକ-ରତ୍ନେ,

ପ୍ରତି କକ୍ଷେ ଟଙ୍ଗା ସିକା, ଥୁଆ ତହିଁ ପରେ

ମୃତ୍ପାତ୍ରେ ବିବିଧ ଘୃତ, ତୈଳ, ଚୂର୍ଣ୍ଣ, ବଟୀ,

 

ମୋଦକ, ଆସବ, ଲେହ, ବର୍ତ୍ତିକା, ଅରିଷ୍ଟ,

ଅବଲେପ, ରସାୟନ, ବାଜୀକରଣାଦି

କେତେ ମହୌଷଧ, ପାତ୍ର ପଲମେ ଆବୃତ ।

ଅଛନ୍ତି ସହସ୍ରେ ଧାତ୍ରୀ, ରୋଗୀଚର୍ଯ୍ୟା ପାଇଁ

 

ପଥ୍ୟ ପ୍ରସ୍ତୁତାର୍ଥେ ଛନ୍ତି ପାଚକ୍‌ନିଯୁକ୍ତ,

ବହୁ ଦୂରବର୍ତ୍ତୀ ରାଜ୍ୟୁ ଯାତ୍ରିଦଳ ପ୍ରାୟ

ଆସିଣ ହତାଶ ରୋଗୀ, ଅନାଥ, ଅକ୍ଷମ,

ହୁଅନ୍ତି ସାଦରେ ରୋଗୀ ଏଥି ନିତ୍ୟ ଚିକିତ୍ସିତ ।

 

ପୀତବର୍ଣ୍ଣ ହୁର୍ମ୍ୟରାଜି ଦିଶୁଛି ଯେ ଏଣେ,

ପାନ୍ଥ-ନିବାସ ସେ, ପୀତ ମର୍ମରେ ନିର୍ମିତ ।

ପାର୍ଶ୍ୱେ ତାର ରଙ୍ଗାଳୟ, ହୁଏ ଅଭିନୀତ

ନିତ୍ୟ ନବ ନାଟ୍ୟ ତହିଁ, ଲାଗିଛି ତାହାକୁ

 

ସଙ୍ଗୀତ-ମନ୍ଦିର, ବହୁ ସ୍ୱରଶିଳ୍ପୀ ଆସି

ଭାରତ ବିଭିନ୍ନ କେନ୍ଦ୍ରୁ ଉଚ୍ଚପ୍ରଶସ୍ତିତ,

ନିଯୁକ୍ତ ସଙ୍ଗୀତବିଦ୍ୟା ଉନ୍ନତିରେ ଏଥି ।

ଶୋଭେ ଯାହା ଶିରେ ଚାରୁ ପ୍ରବାଳ କଳସ,

 

ଚିତ୍ରଶାଳା ସେହୁ, ହୁଏ ଅଙ୍କିତ ସେଠାରେ

ସୂରୁଚିସଙ୍ଗତ ଚିତ୍ରପଟ, ବିନା ଯନ୍ତ୍ରେ-

ସାମାନ୍ୟ ତୁଳିକା, ପୁଣି ହସ୍ତସାହାଯ୍ୟରେ ।

ରାଜକୀୟ କାର୍ଯ୍ୟାଳୟ ଦେଖାଏ ପାଖରେ,

 

ସାଧାରଣ ସଭା, ଏହି ଭିତ୍ତିହୀନ ଗୃହ,

ଉଭା ବହୁ ସ୍ତମ୍ଭ-ପାଦେ, ବାମଭାଗେ ତାର

ବ୍ୟବସ୍ଥାମଣ୍ଡପ, ହୁଏ ପ୍ରଣୟନ ଏଥି

ସମୁନ୍ନିତ ରାଜକୀୟ ବିଧିବ୍ୟବସ୍ଥାଦି ।

 

ଦକ୍ଷିଣେ ମନ୍ତ୍ରଣାଗାର, ପ୍ରଣଧି-ଆବାସ,

ମାନଚିତ୍ରଗୃହ, ଅଛି ଏ ଭାରତେ ଯେତେ

ରାଜ୍ୟ, ଉପରାଜ୍ୟ, ତାର ମାନଚିତ୍ରାବଳୀ

ରକ୍ଷିତ ଏ ଗୃହେ, ତହିଁ ପରେ ଚତୁଷ୍ପାଠୀ,

 

ଉଚ୍ଚ ଶିକ୍ଷାଳୟ, ଶିଳ୍ପଶାଳା, ଶସ୍ୟଗାର,

ସୈନ୍ୟାବାସ, ବନ୍ଦିବାସ, ଶାନ୍ତିରକ୍ଷାଗାର,

ନଗରପାଳଙ୍କ ନିତ୍ୟ ବିଚାର-ଆଳୟ,

ରାଜାଧିକରଣ, ତହିଁ ପରେ ଅସ୍ତ୍ରାଗାର

 

କୁମାରଗଣର । ଚାଲ ଅନ୍ୟ ପଥେ ଏବେ,

ଦେଖ ଏ ବିପଣିମାଳା, ବହୁ ଦେଶୁ ଆସି

ବହୁ ପଣ୍ୟକାର, ଏଥି କରନ୍ତି ସର୍ବଦା

ପଣ୍ୟ ବିନିମୟ, କ୍ରୟ, ଆବର ବିକ୍ରୟ ।

 

ନାନା ମଣି ମାଣିକ୍ୟରେ ଉଜ୍ଜଳ ବିପଣି,

ନିରେଖି ତା ସବ୍ୟସାଚୀ ଲଭିଲେ ସଂପ୍ରୀତି,

କାହିଁ ବନ୍ଧା ମନ୍ଦୁରାରେ ନାନା ଜାତି ଦ୍ୱୟ,

ବାରୀରେ * ବାରଣଯୁଥ, ଶାଳେ ଦାସେରକ,

* ହସ୍ତିଶାଳା

 

କାହିଁ ରଥଶାଳେ ଶୋଭେ ବିଚିତ୍ର ସ୍ୟନ୍ଦନ ।

ଅନନ୍ତର ଦେଖି ପାର୍ଥ ବିଶାଳ ଭୂଖଣ୍ଡ

ବିରାଟ ପ୍ରାଚୀରାବୃତ, ପୁଛିଲେ କେଶବେ-

‘‘ସଖେ, ଏ କେବଣ ସ୍ଥଳୀ’’ ଉତ୍ତରିଲେ କୃଷ୍ଣ-

 

‘‘ବିଶ୍ୱକୃଷିଶାଳା ଏହୁ, ଭାରତେ ଆଦର୍ଶ,

ସୃଷ୍ଟ ଯାହା ଏ ଅବଧି ଉଦ୍ଭିଦଜଗତେ,

ଅଛି ସବୁ ତାହା ଏଥି, ଏ ଆଦର୍ଶ କ୍ଷେତ୍ର

ଉଗ୍ରସେନ ରାଜାଙ୍କର ପ୍ରିୟ ଦ୍ରବ୍ୟ ଅତି ।’’

 

କୃଷ୍ଣଙ୍କ ଆଦେଶ ଲଭି ଦାରୁକ ସାରଥି

ଚଳାଇଲା ଅନ୍ୟ ପଥେ ରଥ, ଧୀରେ ଧୀରେ,

ପ୍ରଥମେ ଦେଖିଲେ ଜିଷ୍ଣୁ ଉନ୍ନତ ମନ୍ଦିର

ନାରାୟଣ ଦେବଙ୍କର, ଖୋଦିତ ତା ଗାତ୍ରେ

 

ଧର୍ମଭାବ-ଉଦ୍ଦୀପକ ବିବିଧ ସୂଚିତ୍ର ।

ମିଳି ତହିଁ ଭକ୍ତଦଳେ-ଭକ୍ତିସମାପ୍ଳୁତ,

ମତ୍ତ ବିଭୁପ୍ରେମେ, କରେ ସ୍ତବ ପାଠ କେହି,

କେହି ବା ସହସ୍ର ନାମ କରୁଛି ଆବୃତ୍ତି,

 

ଲାଗିଅଛି ସଂକୀର୍ତ୍ତନ ସାଟୋପେ, ତନ୍ମୟେ

କାହିଁ ବା ଲାଗିଛି ପୂତ ପ୍ରସାଦ ବଣ୍ଟନ ।

ସମ୍ଭୋଧି ଅର୍ଜ୍ଜୁନେ କୃଷ୍ଣ ଭାଷିଲେ ସଶ୍ରଦ୍ଧେ-

‘‘ଦେଖ ଭାଇ, ଦିଶୁଅଛି ରାଜପୁରୀ ଦୁରେ,

 

ମଠେ, ଦେବାଳୟେ ହୋଇ ନୀରନ୍ଧ୍ରେବେଷ୍ଟିତ,

ଉଜ୍ଜ୍ୱଳ ପରିଧି ମଧ୍ୟେ ଶୋଭେ ଯେହ୍ନେ ଶଶୀ ।

ଲାଗି ନାହିଁ ପ୍ରିୟବର, ସେ ପୁରୀ ନିର୍ମାଣେ

ଚନ୍ଦନ ବ୍ୟତୀତ, ଅନ୍ୟ କାଷ୍ଠ, ଅନ୍ୟ ଧାତୁ

 

ସୁବର୍ଣ୍ଣ ବ୍ୟତୀତ, ତାହା ଦେଖିବେ ପାଶ୍ଚାତେ ।

ଚାଲିଲା ସ୍ୟନ୍ଦନ, ସିନ୍ଧୁ ତୀରେ ତୀରେ ଏବେ,

ଭାସୁଛି ଆନ୍ଦୋଳି କେତେ ପଣ୍ୟତରୀ ସହ

ରଣତରୀ ସିନ୍ଧୁ ମଧ୍ୟେ, ଲଙ୍ଘି କେତେ ତରୀ

 

ଅନନ୍ତ ବାରିଧି ବକ୍ଷ, ରୁଦ୍ର ତରଙ୍ଗିତ,

ଲାଗୁଛି କୂଳରେ, ଯଥା ଭାଗ୍ୟବାନ ଭକ୍ତ,

କାମନା-ତରଙ୍ଗକ୍ଷୁବ୍ଧ ଭବସିନ୍ଧୁ ଲଙ୍ଘି

ଲଭେ ପ୍ରାଣାରାମ ପଦ ଅବଶେଷେ ଆସି ।

 

କେତେ ପୋତ କୂଳ ଛାଡି ଯାଉଛି କ୍ରମଶଃ

ଅଗାଧୁ ଅଗାଧୁ ତଳେ, ପୂର୍ଣ୍ଣ କରି ଗର୍ଭ

ବହୁ ପଣ୍ୟଦ୍ରବ୍ୟେ, ଯଥା ପ୍ରଥମ ପ୍ରବେଶୀ

ବରଜି ଆଶ୍ରୟ ସ୍ଥଳ-ବିଭୁପାଦପଦ୍ମ,

 

ଘେନିଣ ବାସନା-ପଣ୍ୟ, ଭାସେ ଭବାର୍ଣ୍ଣବେ

ଅନ୍ତରର ନାନା ପଥେ, ନାନା ଉପପଥେ

ବୁଲି ବୁଲି ରହୁବର ମିଳିଲା ଆସିଣ

ପରିଶେଷେ ସୁଭଦ୍ରାର ସେବାଶ୍ରମ ପାଶେ ।

 

ଭାଷିଲେ ଦ୍ୱାରକାନାଥ ବୃକୋଦରାନୁଜେ-

‘‘ଦେଖ ସଖେ ! ସେବାଶ୍ରମ ଭଗ୍ନୀ ସୁଭଦ୍ରାର,

ବାଳିକା ସୁଭଦ୍ରା, ମାତ୍ର ଜ୍ଞାନେ ବର୍ଷୀୟସି,

ଆବିର୍ଭୂତା ଯଦୁକୁଳ-ଭାଗ୍ୟଲକ୍ଷ୍ମୀରୂପେ ।

 

ହୃଦୟ ତାହାର ଯଥା ଦେବୀର ହୃଦୟ,

ନାହିଁ ସେ ହୃଦୟେ କ୍ରୋଧ, ଦ୍ୱେଷ, ହିଂସାକିଛି,

ଅଛି ଖାଲି ସ୍ନେହ, ପ୍ରେମ କରୁଣା, ଦାକ୍ଷିଣ୍ୟ,

ପରଦୁଃଖକାତରତା, ଆତ୍ମତ୍ୟାଗିନୀ ସେ,

 

କି କହିବି ପ୍ରିୟବର, ଅଧିକ ତା କଥା,

ଆଦର୍ଶ ସଂଯମବତୀ ବ୍ରହ୍ମଚାରିଣୀ ସେ ।

କି ଦୟା ! କି ସେବା ! ପଶୁପକ୍ଷୀ ସୁଦ୍ଧା ଆହା,

ନୁହନ୍ତି ବଞ୍ଚିତ ତହୁଁ, ଏ ଆଶ୍ରମ ତାର,

 

ଚାଲ ସଖେ ସୁବ୍ୟବସ୍ଥା ଦେଖିବେ ତାହାର ।’’

ଅବତରି ଦୁହେଁ ରଥୁ ପଶିଲେ ଆଶ୍ରମେ,

ଦେଖି ତାଙ୍କୁ ଧାଇଁ ଆସି ଆଶ୍ରମ ମଧ୍ୟରୁ

ସପ୍ତମବର୍ଷୀୟ ଶିଶୁ ବାଳିକା ଗୋଟିଏ,

 

ଆନନ୍ଦେ ପିନ୍ଧାଇ ଦେଇ କୃଷ୍ଣାର୍ଜୁନଗତେ

ସୁରଭି କୁସୁମମାଳା, ପ୍ରଣମି ଭୂମିରେ

ଘେନିଗଲା ଆଶ୍ରମକୁ ଅଭ୍ୟର୍ଥନା କରି ।

ପଥେ ଦେଖି ସୁପ୍ତା ସିଂହୀ, କହିଲା ବାଳିକା-

 

‘‘ସୂକାନ୍ତି ! ଘୁଞ୍ଚିଯା ପଥୁ’’, ତହୁଁ କେଶରିଣୀ,

ଉଠି ବସି ହାଇ ମାରି, ଆଳସ୍ୟ ଗତିରେ

ଘୁଞ୍ଚି ଯାଇ ଦ୍ୱିପହଣ୍ଡ ନିଦ୍ରା ଗଲା ସୁଖେ ।

ଦେଖି ଏ ଅଦ୍ଭୁତ ଦୃଶ୍ୟ ପୁଚ୍ଛିଲେ ବାସବି-

 

‘‘କିଏ ଏ ବାଳିକା, ସଖେ ? କୁସୁମଭୁଷଣା,

କୋମଳ କୁସୁମେ ଗଢ଼ା, ସିଂହୀ ବଶ ଯାର !’’

ଉତ୍ତରିଲେ ଚକ୍ରଧର ମଧୁରେ ସସ୍ମିତେ-

‘‘ସଖେ, ଏ ଅରଣ୍ୟଫୁଲ, ନ ଫୁଟେ ଏ ଫୁଲ

 

ନଗର- ଉଦ୍ୟାନ ମଧ୍ୟେ- ସଯତ୍ନପାଳିତ,

ଅନାର୍ଯ୍ୟା ବାଳିକା ଏଟି, ଏକାନ୍ତ ଅନାଥା

ଶାର୍ବ୍ଦୁଳ କବଳେ ପଡ଼ି ପିତାମାତା ତାର

ତେଜିଲେ ସଂସାର, ଭୟେ ବନ ମଧ୍ୟେ ହାୟ

 

ପଡ଼ିଥିଲା ବାଳିକାଟି ମୁର୍ଚ୍ଛିତାବସ୍ଥାରେ,

ଯାଇଥିଲେ ସତ୍ୟଭାମା ଦଇବେ ସେଦିନ

କାନନ ଭ୍ରମଣେ ରଥେ, ରଥୀ- ସତ୍ୟଭାମା,

ସାରଥି- ସୁଭଦ୍ରା, ଭ୍ରମୁ ଭମୁ ସେ ବେନିଏ

 

ଦେଖିଲେ ଶିଶୁକୁ, ତହିଁ ଦୟାବତୀ ଭଦ୍ରା,

ତୋଳି ଧରି କୋଳେ ତାକୁ, ଆଣି ଏ ଆଶ୍ରମେ

କରିଅଛି ସଯତନେ ଲାଳନପାଳନ,

ଅର୍ପିଅଛି ତାକୁ ମଧ୍ୟ ଶିକ୍ଷା ନାନାବିଧ,

 

ଶିକ୍ଷାରେ ଅସଭ୍ୟ ଶିଶୁ ହୋଇଛି ସୁସଭ୍ୟ ।

ଶୁଣ ଏବେ ଏ ସୁଶୀଳା ସିଂହୀ ବିବରଣ

ଜନ୍ମ କରି ଅଭାଗୀକୁ ଜନନୀ ଏହାର

ଦାରୁଣ ପ୍ରସବ କଷ୍ଟେ ଲଭିଲା ପଞ୍ଚତ୍ୱ,

 

ଦୁରନ୍ତ ବାୟୁସକୁଳ ଘେରି ଚଉପାଶୁ

ହାଣୁଥାନ୍ତି ଥଣ୍ଟ ସଦ୍ୟ ଶାବକ ଶରୀରେ,

ଏହି କାଳେ ଦେଖି ତାକୁ ଭଗିନୀ ସୁଭଦ୍ରା,

ପାଳିଛି ଅଗାଧ ସ୍ନେହେ ଆଣି ଏ ଆଶ୍ରମେ,

 

ସୂଆଗେ ସୂକାନ୍ତି ନାମ ରଖିଛି ତାହାର ।

ସୁଭଦ୍ରାର ସ୍ନେହ, ସେବା, ସହବାସ ଗୁଣେ

ହିଂସ୍ର ପଶୁ ସୁଦ୍ଧା ସଖେ ଭୁଲିଅଛି ହିଂସା,

ଏଣେ ଦେଖ ବାଛୁରୀକି ଚାଟୁଛି ମୃଗୁଣୀ

 

ଅପୂର୍ବ ବାତ୍ସଲ୍ୟସ୍ନେହେ, ଦେଖ ଦେଖ ପୁଣି

ପିଉଛି ଗାଭୀର ଦୁଗ୍ଧ ଶାର୍ଦ୍ଦୁଳଶାବକ ।’’

ଏହିପରି ନାନା କଥା କହି ପରସ୍ପରେ

ଭ୍ରମୁଛନ୍ତି ଆଶ୍ରମରେ, ନବ ଦୃଶ୍ୟ ଦେଖି ।

 

କି ପାବନ ସେବାଶ୍ରମ, ପୁଣ୍ୟସୁରଭିତ,

ପୂର୍ଣ୍ଣ ସଦା ମାତୃରବେ - ପୂର୍ଣ୍ଣ ହରିନାମେ,

ଚିର ଶାନ୍ତିମୟ ତାହା ନବ ଶାନ୍ତିସ୍ୱର୍ଗ,

ବହେ ତହିଁ ଶାନ୍ତି ପ୍ରୀତି ଆବର ମୈତ୍ରୀର

 

ତରଳ ତ୍ରିବେଣୀ ଧାରା, ଉତପ୍ଳୁତ ଗତିରେ,

ବିରଳ ସେ ମହାଧାରା ମହର୍ଷି ଆଶ୍ରମେ ।

ଶୋଭେ ନାନା ଜାତି ତରୁ ଚିର ଫଳବାନ,

ବହୁ ଶ୍ୟାମଳାଙ୍ଗୀ ଲତା - ଚିର ପୁଷ୍ପବତୀ,

 

ପ୍ରତି ପତ୍ରୁ, ପ୍ରତି ପୁଷ୍ପୁ, ବିହଙ୍ଗମ କଣ୍ଠୁ

ଝରିପଡ଼େ କି ଅମୃତ ମାଦକତାମୟ,

ତରୁଡାଳେ ବସି ପକ୍ଷୀ ଗାଉଛନ୍ତି ହର୍ଷେ

‘‘ନାରାୟଣ ହରି’’ ଶବ୍ଦ, ଭୁଲି ନିଜ ବୋଲି,

 

ଅବିରତ ଶୁଣି ଶୁଣି ସେ ପରମ ଶବ୍ଦ-

ସବୁବେଳେ ସେହି ଶବ୍ଦ ଉଚ୍ଚାରି ଉଚ୍ଚାରି

ହୋଇଛନ୍ତି ଖଗେ ତହି ଆସକ୍ତ, ଅଭ୍ୟସ୍ତ,

ଯାଇଛି ପ୍ରକୃତି ହୋଇ ଅଭ୍ୟାସ ତାଙ୍କର ।

 

କେତେ ଅନ୍ଧ, କେତେ ଖଞ୍ଜ, ଆତୁର, ଅନାଥ

ଲଭିଛନ୍ତି ସେବାଶ୍ରମେ ଅନ୍ତିମ ଆଶ୍ରୟ,

ଗୁନ୍ଥୁଅଛି କେହି ଫୁଲ, କେ କରେ ଭଜନ,

କେହି ରତ ଶାସ୍ତ୍ରପାଠେ, କେହି ଅଧ୍ୟୟନେ,

 

ଲାଗିଅଛି କାହିଁ ରୋଗିସେବା, ଧାତ୍ରୀଗଣ

ଘେନି ପଥୌଷଧ, ବୁଲି ବୁଲି ରୋଗିବୃନ୍ଦେ

କରାନ୍ତି ସେବନ, କରି ଆଦର ବିଶେଷ ।

ଲାଗିଅଛି ଅଭ୍ୟାଗତ ପଙ୍ଗତ କାହିଁବା,

 

ଚର୍ବ୍ୟ, ଚୁଷ୍ୟ, ଲେହ୍ୟ, ପେୟ ଚତୁର୍ବିଧ ଖାଦ୍ୟ

ଦର୍ବୀରେ ପରଶୁଛନ୍ତି ପ୍ରବୀଣ ପାଚକେ ।

ଦେଖି ପାର୍ଥ ଏହିପରି ନାନା ଅନୁଷ୍ଠାନ ।

ନାନା ସ୍ଥାନେ, ଲଭି ବୀର ପୁଲକ ବିସ୍ମୟ,

 

କହିଲେ ସମ୍ଭୋଧି କୃଷ୍ଣେ - ‘’ବୟସ୍ୟପ୍ରବର !

କି ଆନନ୍ଦ - ସ୍ୱର୍ଗ ଭଦ୍ରା କରିଛି ସୃଜନ,

ଆଣିଛି ଓହ୍ଲାଇ ସଖେ, ଭୁତଳେ ସେ ଏକା

ତ୍ରିଦିବ ପୁଣ୍ୟର ଜ୍ୟୋତି, ଆଣିଛି ଆବର

 

ଅନନ୍ତ ପ୍ରେମର ଉତ୍ସ, ଭକ୍ତି- ମନ୍ଦାକିନୀ ।

ଆହା, କି ଅପୂର୍ବ ଶୋଭା-ମୋହ-ମାଦକିନୀ,

ଯା ଦେଖି ପୀଡ଼ିତ ନୁହେଁ ଦର୍ଶକ ଅନ୍ତର,

ପ୍ରତ୍ୟୁତ ପୀଡ଼ିତ ଚିତ୍ତ ହୁଏ ସ୍ୱାସ୍ଥ୍ୟବନ୍ତ,

 

ସେହି ଶୋଭା ସିନା ଏକା ଶୋଭାବରଭୂଷା ।
ଏତେ ଗୁଣ ବାଳିକାର ! ନୋହିବ ବା କିପାଁ,

ଭ୍ରାତା ଯାର ପ୍ରତିବିମ୍ବ ବିଶ୍ୱ ସଦ୍‌ଗୁଣର,

କିପାଁ ସେ ସୌଭାଗ୍ୟବତୀ ନ ହେବ ହେ ଭଲା

 

ଜଗତରେ ଗୁଣଧନ୍ୟା, କାହି ସେ ସୁଭଦ୍ରା ?’’

ଭାଷିଲେ ଶ୍ରୀକୃଷ୍ଣ, ‘‘ସଖେ ! ଚଞ୍ଚଳା ସୁଭଦ୍ରା,

କେତେବେଳେ କାହିଁଥାଏ କେ କହିବ ତାହା,

ଦେଖିବ ଯେଠାବେ ଆର୍ତ୍ତଆତୁର କ୍ରନ୍ଦନ,

 

ସୁଭଦ୍ରା ସେଠାରେ, ଯହି ଦୀନ ବିପନ୍ନର

ବହେ ତୀବ୍ର ତପ୍ତଶ୍ୱାସ, ସୁଭଦ୍ରା ସେଠାରେ,

ଯେଉଠାରେ ପୀଡ଼ିତର କରୁଣ ଚିତ୍କାର,

ସୁଭଦ୍ରା ସେଠାରେ, ନାହି ଭେଦଭାବ ତାର,

 

କି ଆର୍ଯ୍ୟ, ଅନାର୍ଯ୍ୟ ଅବା ବିଧର୍ମୀ, ସ୍ୱଧର୍ମୀ,

ସମସ୍ତେ ସମାନ, ସର୍ବେ ସମାନ ଭାବରେ

ନିବସନ୍ତି ନିର୍ବିକାରେ ତାହା ସେବାଶ୍ରମେ,

ତା ଆଶ୍ରମେ ନାନା ଫୁଲ ଏକସୂତ୍ରେ ଗୁନ୍ଥା ।

 

କରୁଣାର ସମୁତ୍କୁଳା ତରଙ୍ଗିଣୀ ପ୍ରାୟ

ଘୁରିବୁଲେ ସେବାଶ୍ରମେ ସତତ ସୁଭଦ୍ରା,

ନାହିଁ ତିଳେ ଅଭିମାନ ରାଜକନ୍ୟା ବୋଲି,

ଦେବପୂଜା, ଗୁରୁସେବା, ଗୋମାତାର ସେବା,

 

ଅତିଥିସତ୍କାର, ରୋଗିଚର୍ଯ୍ୟା, ଶାସ୍ତ୍ରପାଠ

ନିତ୍ୟକର୍ମ ତାର, ସଖେ, କି କହିବି ଆଉ,

ପୀଡ଼ିତା ଦାସୀର ସେବା କରେ ସୁଦ୍ଧା ଭଦ୍ରା ।

କେତେ ଅଶ୍ରୁ ଅଛି ତାର ବାଳିକାନୟନେ,

 

ଦେଖିଲା ଯଦ୍ୟପି ରୋଗୀ ଅଥବା ଭିକ୍ଷୁକ,

ଉଠିଲା ତକ୍ଷଣେ ଭାସି ଅଶ୍ରୁ- ମୁକ୍ତା ନେତ୍ରେ,

ବ୍ରତ ତାର- ସେବା, ଦାନ, ଅଶ୍ରୁ ଏକା ତାର

ଜୀବନସମ୍ବଳ, ଚିର ଉଦାସୀନା ଭଦ୍ରା ।

 

ପିନ୍ଧେ ନାହିଁ ଅଳଙ୍କାର, ବଳତ୍କାରେ ଯେବେ

ଦିଅନ୍ତି ପିନ୍ଧାଇ କେବେ ଭାତୃଜାୟାଗଣ,

ଦଣ୍ତକେ ଦେଖିବ ଶୂନ୍ୟ, ବିତରି ସେ ସର୍ବ

ଦୀନ ଦୁଃଖିଗଣେ, ଗୃହେ ଆସିବ ବାହୁଡ଼ି,

 

ପୁଚ୍ଛିଲେ ଉତ୍ତର ନାହିଁ, ଖାଲି ଦୀନ ଦୃଷ୍ଟି ।

ସଦା କର୍ମରତା ଭଦ୍ରା, ଯାଇ ରୋଗୀଗୃହେ

ଖୁଆଇ ଦେଉଛି କେବେ ରୋଗୀକୁ ଔଷଧ,

କେବେ ଦେଉଅଛି ବାନ୍ଧି ସ୍ୱହସ୍ତରେ ପଟି

 

ପଶୁପକ୍ଷୀ ଭଗ୍ନପଦେ, କେବେ ଅବା ବସି

କରୁଅଛି ଶାସ୍ତ୍ରପାଠ ସେବାଶ୍ରମ ମଧ୍ୟେ,

ଚାଟୁଛି ପଛରୁ ତାକୁ ମୃଗଶିଶୁଟିଏ,

ଉଡ଼ି ଆସି ପକ୍ଷୀଟିଏ ବସି ତା ହାତରେ

 

ଆତୁର ପ୍ରାର୍ଥନା ନେତ୍ରେ ଚାହିଁଲା ବଦନେ,

ଶାସ୍ତ୍ରପାଠ ଛାଡି ଭଦ୍ରା, ଉଠିଯାଇ ଖରେ

ଖୁଆଇଲା ତାକୁ ସର ଲବଣୀ ଆଦରେ,

କି ସ୍ୱର୍ଗୀୟ ଦୃଶ୍ୟ ତାହା, ଯେ ଦେଖେ ସେ ଧନ୍ୟ,

 

କେବଳ ଏତିକି ନୁହେଁ, ସାହିତ୍ୟ, ସଙ୍ଗୀତ,

ଚାରୁକଳା, ଧନୁର୍ବେଦ ଆଦି ବହୁଶାସ୍ତ୍ରେ

ସୁପ୍ରବୀଣା ଭଦ୍ରା; ଦେଖି ଦକ୍ଷତା ତାହାର

ଆର୍ଯ୍ୟ ବଳଭଦ୍ର ଶସ୍ତ୍ରେ, ଶାସ୍ତ୍ରେ କରିଛନ୍ତି

 

ନ୍ୟସ୍ତ ତାହା କରେ ସର୍ବ କୁମାରଗଣର

ଧନୁର୍ବେଦ ଶିକ୍ଷା ସହ ନୀତିଶିକ୍ଷା ଭାର ।

ଦ୍ଵାରକା ପ୍ରବେଶଦ୍ୱାର- ରୈବତକ ଘାଟୀ,

ହୋଇଛି ସେ ସୁରକ୍ଷିତ ଅପୂର୍ବ କୌଶଳେ,

 

ଏକାକିନୀ ଭଦ୍ରା ତହିଁ ଧନୁର୍ବାଣ ଧରି

କରିପାରେ କୋଟି ଶତ୍ରୁ ଆକ୍ରମଣ ବ୍ୟର୍ଥ ।

ଅସାମାନ୍ୟ ଶକ୍ତିମତୀ, ବୁଦ୍ଧିମତୀ ଭଦ୍ରା,

ଗୁରୁ କାର୍ଯ୍ୟେ ସଦା ମୋର ପରାମର୍ଶଦାତ୍ରୀ ।

 

ଚାଲ ଯିବା ରୈବତକେ, ବୁଡ଼ିଲାଣି ବେଳ,

ଥିବାଯାଏ ଦ୍ୱାରକାରେ ଦେଖିବ ସକଳ ।’’

ଅନନ୍ତର ରଥେ ବସି ଉଭୟ ବୟସ୍ୟ

ଗମିଲେ ରୈବତମୁଖେ, ଦେଖି ଦେଖି ପାର୍ଥ

 

ଦ୍ୱାରକା ନଗରୀ ସଜ୍ଜା, ଭାଷିଲେ ଏସନ-

‘‘ସମୁଜ୍ଜ୍ଵଳ ପ୍ରତିକୃତି ଏ ମହାନଗରୀ

ଉଚ୍ଚ ସଭ୍ୟତାର, ପୁଣି ଧର୍ମମହିମାର,

ଜ୍ଞାନର ଅନନ୍ତ ଜ୍ୟୋତି କେନ୍ଦ୍ରୀଭୁତ ଏଥି ।

 

ଏ ମିଳନ ପୂଜ୍ୟପୀଠ, ଅନନ୍ତ ଜ୍ଞାନର

ଅବା ପାରିଜାତ ଫୁଲ-ବିଶ୍ୱ ପ୍ରତିଭାର

କିମ୍ବା ଏ ନଗରୀ-ଧର୍ମ-ହୋମ ପୁଣ୍ୟଚରୁ

ଅଥବା ସରଳ ବ୍ୟାଖ୍ୟା ସୁନୀତି-ଶ୍ଳୋକର,

 

ଉଡ଼ୁଛି ଏଠାରେ ଯେଉଁ କୈବଲ୍ୟନିଶାଣ-

ଜ୍ଞାନ କର୍ମ ପ୍ରେମ ପୁଣି ନିଷ୍କାମ ଭକ୍ତିର,

ଦେଖାଇବ ଭାରତକୁ ନିତ୍ୟ ସୁପଥ ସେ ।

ଭାଗ୍ୟବାନ ଏ ରାଜ୍ୟର ତପଧନ୍ୟ ପ୍ରଜା,

 

କରନ୍ତି ଗାହନ ସର୍ବେ ପବିତ୍ର ସତ୍ୟର

ନିର୍ମଳ ଜାହ୍ନବୀ ଜଳେ, ଇନ୍ଦ୍ରର ଇନ୍ଦ୍ରତ୍ୱ

ନ ଖଟେ ଉପରେ ତାଙ୍କ, ଆଦର୍ଶ ସକଳେ

ତେଜସ୍ୱିତା, ମନସ୍ୱିତା, ଯଶସ୍ୱିତା ଆଦି

 

ମାନବଦୁର୍ଲଭ ଗୁଣେ, ଅମର- ସୁଲଭ,

ସଦେହେ ଅମର୍ତ୍ତ୍ୟ ସୁଧା ଭୁଞ୍ଜନ୍ତି ମର୍ତ୍ତ୍ୟରେ ।

ସ୍ୱୟଂ ବିଶୁସ୍ରଷ୍ଟାଙ୍କର ସୃଷ୍ଟ ଯେ ନଗରୀ,

ସ୍ୱର୍ଗ ତାହା ପାଶେ ତୁଚ୍ଛ, ତୁଚ୍ଛାଦପୀ ତୁଚ୍ଛ l’’

କହିଲେ ଶ୍ରୀକୃଷ୍ଣ ହସି, ‘‘କ୍ଷୁଦ୍ର ନର ମୁହି,

 

 

କୀଟାଣୁ ମୁଁ ଏ ଅନନ୍ତ ବିଶ୍ୱ ତୁଳନାରେ ।’’

ଭାଷିଲେ ଅର୍ଜୁନ ଶୁଣି, ଭାବଗଦଗଦେ,

‘‘ସତ୍ୟ ପ୍ରଭୋ ! ସତ୍ୟ ସତ୍ୟ କୀଟାଣୁ ଆପଣ,

କିନ୍ତୁ ଏହି କୀଟାଣୁରୁ ଜାତ ଏ ଅନନ୍ତ,

 

ମହାମହୀରୂହ ଯଥା କ୍ଷୁଦ୍ର ବଟବୀଜୁ ।

ନର ତୁମ୍ଭେ ! କିମ୍ପା ପ୍ରଭୁ, ଏ ଆତ୍ମତାଚ୍ଛଲ୍ୟ ।

ନର ଯଦି ତୁମ୍ଭେ ହରି, ତେବେ ନର ନିଶ୍ଚେ

ଦେବତାଙ୍କ ଗୁରୁ ପୁଣି ଦେବତାଙ୍କ ସ୍ରଷ୍ଟା -

 

ନର ନିଶ୍ଚେ ଚରାଚର କତ୍ତା ଭର୍ତ୍ତା ହର୍ତ୍ତା । ’’

ହେଉଁ ହେଉଁ ଏହିପରି କଥୋପକଥନ

ଭକ୍ତ ଉଗବାନ ମଧ୍ୟେ, ଉପସ୍ଥିତ ରଥ

ରୈବତକ ପଦମୁଳେ, ତହୁ କୃଷ୍ଣାର୍ଜୁନ

 

ଓହ୍ଳାଇଲେ ପଦ ନିହି ସ୍ଫଟିକ ପାବଚ୍ଛେ ।

ଯଦୁ ବୃଷ୍ଣୀ ଭୋଜବଂଶୀ ବୀରଗଣ ତହିଁ

ଥିଲେ ଉପସ୍ଥିତ, ପାର୍ଥ ଅଭ୍ୟର୍ଥନା ପାଇଁ,

ଦେଖି କୃଷ୍ଣାର୍ଜ୍ଜୁନେ ସର୍ବେ ମହାମହୋଲ୍ଲାସେ

 

ଉଚ୍ଚାରିଲେ ଉଚ୍ଚେ, ‘‘ଜୟ ବିଷ୍ଣୁ ଜିଷ୍ଣୁ ଜୟ ।’’

ଫୁଟିଲା ବହଳେ ବାଣ ଖଇଭାଡି ପ୍ରାୟ,

ଫରୀ ଖଣ୍ତା ଚହଟାଇ ଆରଣ୍ୟ ପାଇକେ

କରି ବୀରନୃତ୍ୟ ତାଳେ ତାଳେ ପ୍ରଦର୍ଶିଲେ

 

କୃଷ୍ଣାର୍ଜ୍ଜୁନେ, ବୀରପୂଜା ଶ୍ରେଷ୍ଠ ଉପାଦାନ ।

ଲାଗିଗଲା ମୁହୂର୍ତ୍ତକେ ମାନ୍ୟ ଶିଷ୍ଟାଚାର-

ଆଲିଙ୍ଗନ, ନମସ୍କାର, ଭୁମିଷ୍ଠ ପ୍ରଣାମ,

ଆଶୀର୍ବାଦ ଆଦି, ପାର୍ଥ ପ୍ରଣମି ସତ୍ୱରେ

 

ଉଗ୍ରସେନ, ବସୁଦେବ, ବଳଭଦ୍ର ଆଦି

ଗୁରୁଜନେ, ବନ୍ଧୁଗଣେ କଲେ ନମସ୍କାର,

ବିହିଲେ କୁମାରବୃନ୍ଦେ ସ୍ନେହ ଆଶୀର୍ବାଦ ।

ଯାଇଛି ଆଚ୍ଛାଦି ଆଜି ରୈବତକପୃଷ୍ଠେ

 

ସ୍ୱଭାବ ଅରଣ୍ୟଶ୍ରେଣୀ ଘନ ଜନାରଣ୍ୟେ,

ହୋଇଛି ଅନ୍ଧାର ଆଜି କାହିଁ ନିର୍ବାସିତ

ବିଜନତା ସହ, ତେଜି ଚିର ପ୍ରିୟାବାସ

ରୈବତ କନ୍ଦର, ଆହା, ରୈବତକ ଆଜି

 

ଧରିଅଛି ରଜନୀରେ ଦିବସର ଛବି ।

କରି ସମସ୍ତଙ୍କ ସହ ଶିଷ୍ଟ ସମ୍ଭାଷଣ

ବହୁ ବେଳଯାଏ ପାର୍ଥ ସନ୍ତୋଷି ସକଳେ,

ବିଜେ କଲେ କୃଷ୍ଣ ସଙ୍ଗେ ପ୍ରମୋଦଭବନେ ।

 

Unknown

ପଞ୍ଚମ ସର୍ଗ

ଶୋଭାର ନନ୍ଦନବନ ସ୍ୱଭାବ- ସୁନ୍ଦର,

ବୁଯେ ତହିଁ ମିଶେ ଯେବେ ବସନ୍ତ ସୁଷମା,

କି ଉପମା ତେବେ ତାର ? କି ଅଛି ବା ବିଶ୍ୱେ

ନିରୁପମାର ଉପମା, ନିଜ ଭିନ୍ନ ଆଉ ?

 

ଏବେ ତ ରୈବତ ଗିରି ପ୍ରକୃତିର ଶିଶୁ,

(ଅନନ୍ତ ଜୀବନ ତାର, ଅନନ୍ତ ଶିଶୁତ୍ୱ)

ପିନ୍ଧାଇଛି ସଦା ସ୍ନେହେ, ଆଦରେ ତାହାକୁ

ବହୁ ରମ୍ୟ ଅଳଙ୍କାର-ତା ପ୍ରକୃତି-ମାତା,

 

ତହିଁ ପରେ ମଣ୍ତିତ ସେ ଆଜି ନବ ସାଜେ

ନବାଗତ ପାର୍ଥ ଚିତ୍ତ ବିନୋଦନକଲେ,

ଯାଇଛି ବରଷି କିବା ଜ୍ୟୋତ୍ସ୍ନାରେ ଅମୃତ !

ଶୂନ୍ୟ ହାରାବତୀ ପୁରୀ, ସର୍ବ ନାଗରିକେ

 

ହୋଇଛନ୍ତି ସମବେତ ରୈବତଶିଖରେ,

ନେଇଛି ଛଡ଼ାଇ ଆଜି ହାରକାର ଶିରୀ

ରୈବତକ, ସର୍ବେ ତହିଁ ମତ୍ତ ନବୋତ୍ସବେ,

ଦେଖୁଛି ସେ ମହୋତ୍ସବ ମହୋଲ୍ଲାସ ମନେ-

 

ବସି ଗିରିଚୁଡ଼େ ଘନ, ଚିର ଗିରିବନ୍ଧୁ,

ବିଜୁଳି ବିକାଶ ଛଳେ ହସି ଥରେ ଥରେ ।

ଦେଖୁଛନ୍ତି ତରୁଲତା, ଚାହିଁ ପୁଷ୍ପ- ନେତ୍ରେ,

ଦେଖୁଛନ୍ତି ପକ୍ଷିକୁଳ ଶାଖେ ଶାଖେ ବସି,

 

ଦେଖୁଛନ୍ତି ଗିରି- ଦେବୀ, ବନଦେବୀ ସହ

ନରନେତ୍ର ଅନ୍ତରାଳେ ଲୁଚାଇ ଶରୀର ।

 

ପ୍ରତ୍ୟୁଷେ ଶ୍ରୀକୃଷ୍ଣ ମିଳି ଅର୍ଜୁନ ଆବାସେ

ଦେଖିଲେ ସମାପି ପାର୍ଥ ପ୍ରାତଃକୃତ୍ୟ, ପୂଜା,

ଉପବିଷ୍ଟ ଇଷ୍ଟଧ୍ୟାନେ, ପାଶେ ବସି ହରି

ପୁଚ୍ଛିଲେ ସସ୍ମିତେ, ‘‘ସଖେ ! ମଙ୍ଗଳ ତ ସବୁ ?’’

 

ମୁଦୁ ହସି ଧନଞ୍ଜୟ ଉତ୍ତରିଲେ ଧୀରେ

‘‘ମଙ୍ଗଳମୟଙ୍କ ଚିର ଚରଣାଶ୍ରିତର

କିସ ଅମଙ୍ଗଳ ପ୍ରଭୁ, ତୁମ୍ଭେ ଯାର ସଖା,

ତୁମ୍ଭେ ଯାର ଗୁରୁ, ତୁମ୍ଭେ ଯାର ପ୍ରଭୁ, ଡରେ

 

ଅମଙ୍ଗଳ ତାକୁ, ଆଜି ସୁପ୍ରଭାତ ମୋର,

ସୌଭାଗ୍ୟର ଶୁଭଦିନ, ଦେଖିଲି ସେ ପାଦ-

ନିଖିଳ- କଳ୍ପଷହାରୀ ପତିତପାବନ,

ଧନ୍ୟ ହେଲି, ପୁଣ୍ୟ ହେଲି, ନିସ୍ତରିଲି ପ୍ରଭୋ- ’’

 

ଏକାଳେ ଶୁଭିଲା ଦୂରେ ମଧୁର ଗୁଞ୍ଜନ,

ଆସୁଛନ୍ତି ସତ୍ୟଭାମା ରୁକ୍ମିଣୀ ପ୍ରଭୃତି

ଯଦୁବଧୂ, ଧରି ସ୍ୱର୍ଣ୍ଣ-ଅର୍ଘ୍ୟଥାଳୀ କରେ,

ଚାଲିଛି ମଧ୍ୟରେ ଧୀରେ କୁମାରୀ ସୁଭଦ୍ରା,

 

ଚାଲିଛନ୍ତି ସର୍ବେ ମୋଦେ ବଜାଇ ପାହୁଡ଼ ।

ସମସ୍ତଙ୍କ ଅଙ୍ଗେ ଶୋଭେ ମଣିମୁକ୍ତାଦିର

ସୂବିସୃଳ ପରିପାଟୀ, ଦିବ୍ୟ ଆଭାମୟ,

ଚାଲିଛି କି ଆହା, ସ୍ୱର୍ଣ୍ଣ ସ୍ଥଳପଦ୍ମବନ,

 

ସକଳର ପରିଧେୟ ବିଭିନ୍ନ ବର୍ଣ୍ଣର,

ଫୁଟିଅଛି କିବା ସୌମ୍ୟା ମଧୁମାଳତୀର

ଏକଇ ସ୍ତବକେ ବହୁ ବର୍ଣ୍ଣର କୁସୁମ ।

ପ୍ରବେଶି ସକଳେ ପୁରେ, ସୁଭଦ୍ରା ବ୍ୟତୀତ,

 

କଲେ ଅର୍ଘ୍ୟ ବନ୍ଦାପନା କୃଷ୍ଣ ଧନଞ୍ଜୟେ,

ବନ୍ଦାନ୍ତି କି କ୍ଷାତ୍ର ଶକ୍ତି ଶୌର୍ଯ୍ୟ, ପୌରୁଷକୁ ।

ନମିଲେ କିରୀଟୀ ବେନି କୃଷ୍ଣପ୍ରିୟାପଦେ,

ଆଶିଷିଲେ ତହୁଁ ଦେବୀ ରୁକ୍ମିଣୀ ଏସନ

 

‘‘କର ବୀର ! ବୀରକୀର୍ତ୍ତି ସ୍ଥାପନ ଭାରତେ

ଅମ୍ଳାନ ଅକ୍ଷୟ’’, ହସି ସତ୍ୟଭାମା ଦେବୀ

ଭାଷିଲେ, ‘‘ସନ୍ନ୍ୟାସୀ ! ଘେନି ଆଶୀର୍ବାଦ ମୋର

ଲଭ ଅନ୍ୟ ଚିତ୍ରାଙ୍ଗଦା, ଦ୍ୱିତୀୟ ଉଲୁପୀ । ’’

 

ହସିଲେ ଈଷତ ପାର୍ଥ, ତହୁଁ ସତ୍ୟଭାମା

ଦେବର ସମ୍ପର୍କ ଧରି ପରିହାସ ଛଳେ

ଭାଷିଲେ ଏସନ ତାଙ୍କୁ -‘‘ଶୁଣିଥିଲି ମୁହିଁ,

ଜାଣନ୍ତି ସନ୍ନ୍ୟାସୀମାନେ ବହୁ ମହୌଷଧି,

 

ଅବ୍ୟର୍ଥ ସେ ମହୌଷଧି, ହୁଏ ତାହା ବଳେ

ମଣିର ମଣି ସହ ନାଗମଣି ବଶ ।

ସତ୍ୟ କି ହେ ଏ ପ୍ରବାଦ ? ସନ୍ନ୍ୟାସୀ ଗୋସାଇଁ

ଉତ୍ତରିଲେ ପାର୍ଥ- ‘‘ଦେବି ! ତୁମ୍ଭଠାରୁ ବଳି

 

କେ ଅଛି ଜଗତେ ଭଲା ଭୈଷଜ୍ୟନିପୁଣ,

ଯେ ଔଷଧ ଗୁଣେ ତୁମ୍ଭେ କରିଅଛ ବଶ

ବିଶ୍ୱର ଅବଶ ଏହି ବିଶ୍ୱପ୍ରାଣାରାମେ,

ଅଗୋଚର ସେ ଔଷଧ ଅମରକୁଳର ।’’

 

ନ ସରୁଣୁ ପାର୍ଥ କଥା, ହସି ହସି ସତୀ

ଭାଷିଲେ- ‘‘ଥାଉ ହେ ଥାଉ ହେଲାଣି ଯଥେଷ୍ଟ,

ଜାଣିଲୁଣି ପଟୁ ତୁମ୍ଭେ ପ୍ରଶସ୍ତିବିଦ୍ୟାରେ,

ପୁରସ୍କାରଯୋଗ୍ୟ ତବ ସେ ଅଭ୍ୟସ୍ତ ବିଦ୍ୟା,

 

ଲଭିବ ହେ ଯୋଗି ! ତୁମ୍ଭେ ଅଦୂର ଭବିଷ୍ୟେ

ସେ ବିଦ୍ୟାର ଉପଯୁକ୍ତ ଉଚ୍ଚ ପୁରସ୍କାର ।

 

ଅନନ୍ତର ଉତ୍ଥାପନି ଅପର ପ୍ରସଙ୍ଗ

କହିଲେ ଶ୍ରୀକୃଷ୍ଣ, ‘‘କିପାଁ ଆସି ନାହିଁ ଭଦ୍ରା ?’’

ଉତ୍ତରିଲେ ମୃଦୁଭାଷେ ମହିଷୀ ରୁକ୍ମିଣୀ -

‘‘ନ ଜାଣ କି ପ୍ରଭୁ, ତାର ଲାଜକୁଳୀପଣ,

 

ତୁମ୍ଭେ ଭ୍ରାତା, ତୁମ୍ଭେ ଗୁରୁ, ତୁମ୍ଭ ଆଗେ ସୁଦ୍ଧା

ଆସିବାକୁ ଏଣିକି ସେ ପ୍ରକାଶେ ସଙ୍କୋଚ,

ଆସିଥିଲା ଆମ୍ଭ ସଙ୍ଗେ, ଦୁଆର ସେ ପାଖେ

ରହିଅଛି ଉଭା ହୋଇ, ନ ଆସି ଭିତରେ ।’’

 

ହସି ହସି କୃଷ୍ଣ ତହୁଁ ଡାକିଲେ କୋମଳେ -

‘‘ସୁଭଦ୍ରା ! କାହାକୁ ଲଜ୍ଜା କରୁଛୁ ପାଗଳି

ପାର୍ଥ ମୋର ପ୍ରିୟ ସଖା, ପାର୍ଥ ମୋର ଭ୍ରାତା,

କରିଯା ପ୍ରଣାମ ଆସି ତାହାଙ୍କୁ ସତ୍ୱର । ’’

 

ଶୁଣି ଦେବ ଭ୍ରାତାଦେଶେ, ଆସିଲା ସୁଭଦ୍ରା,

ଅପରୁପ ରୁପରାଶି, ଦେବୀ ନା ମାନବୀ

କିଏ ଏ ନବୀନା ବାଳା, ଶୋଭାସୃଷ୍ଟିଭୂଷା,

ଆସନ୍ନ ଯୌବନ-ଜ୍ୟୋତି ଖେଳୁଛି ସର୍ବାଙ୍ଗେ,

 

ଯଥା ପ୍ରାତଃରବିକର ସଦ୍ୟସ୍ଫୁଟ ପଦ୍ମେ ।

ପ୍ରଥମେ ପ୍ରଣମି କୃଷ୍ଣେ, ତହି ପରେ ଭଦ୍ରା

ପ୍ରଣମିଲା ପାର୍ଥ- ପଦେ, ଶଶବ୍ୟସ୍ତେ ପାର୍ଥ

କରେ ଧରି ଶିର ତାର ତୋଳିଲେ ଭୂମିରୁ,

 

ଆହା ସେ କି ଶୋଭା, ଥୁଆ କମଳ ସତ୍ରେ କି

ସୁବର୍ଣ୍ଣ କମଳ-ସଦ୍ୟ ବିକାଶ-ଉନ୍ମୁଖ !

ସେ ପରଶେ ବେନି ତନୁ ହେଲା ଲୋମାଞ୍ଚିତ

କେବଣ ଅଜ୍ଞାତ ଭାବେ, ବେନି ଧମନୀରେ

 

ଦେଲାକ ଚଳାଇ ଯେହ୍ନେ କିଏ ଅଲକ୍ଷ୍ୟରେ

ଶୀତଳ ଚନ୍ଦନାସବେ କିମ୍ବା ଜ୍ୟୋତ୍ସ୍ନାଜଳେ

ଅମୃତ ପିଚିକା, ତହୁଁ ହେଲାକ ଆରମ୍ଭ

ବେନିପ୍ରାଣେ ପ୍ରଣୟର ବୈଦ୍ୟୁତିକ କ୍ରିୟା ।

 

ରଙ୍ଗପ୍ରିୟା ସତ୍ୟଭାମା କହିଲେ ଏକାଳେ-

‘‘ସୁଭଦ୍ରେ ! ସେ ଦିନ ଶୁଣି ଅର୍ଜୁନ ପ୍ରଶସ୍ତି,

ଦେଖିବାକୁ ତାଙ୍କୁ ପରା ହେଉଥିଲୁ ବ୍ୟଗ୍ର ?

ଦେଖିଲୁ ତ ? ଚାଲ ଏବେ’’ ଏହା ଭାଷି ଦେବୀ

 

ଧରି ସୁଭଦ୍ରାର କର, ସପତ୍ନୀ ରହଣେ

ବିଜେ କଲେ କକ୍ଷାନ୍ତରେ ଧୀରସଦକ୍ଷେପେ ।

ଏଥୁଅନ୍ତେ ବାସୁଦେବ ପୁଚ୍ଛିଲେ ସାଗ୍ରହେ

କନିଷ୍ଠ କୌନ୍ତେୟେ, ‘‘ ସଖେ ! ଦଶ ବର୍ଷକାଳ

 

ଭ୍ରମିଲ ଏ ଭାରତର କେଉଁ କେଉଁ ତୀର୍ଥେ,

କହ ତାହା, ଶ୍ରବଣେ ମୋ ବଳିଛି ମାନସ ।’’

ଉତ୍ତରିଲେ ଦୀନ ଭାଷେ ପାର୍ଥ-ମହେଶ୍ୱାଷ-

କେଉଁ ତୀର୍ଥ ଆଗୋଚର, ପ୍ରଭୋ ! ତୁମ୍ଭର ବା,

 

ସ୍ୱୟଂ ତୀର୍ଥସ୍ରଷ୍ଟା, ପଦ ତବ କୋଟିତୀର୍ଥ,

ତେବେ ଯଦି ଭୃତ୍ୟମୁଖୁ ଶୁଣିବାକୁ ହରି,

ଇଚ୍ଛା ତବ, ଇଚ୍ଛାମୟ ! ଶୁଣ ତେବେ କହେଁ-

ପ୍ରଥମେ ପ୍ରୟାଗ ତୀର୍ଥେ ହେଲି ଉପନୀତ,

 

ଯମୁନା ଜାହ୍ନବୀ ଯୋଗ, ଆହା କି ସୁନ୍ଦର !

ଯେହ୍ନେ ହରିହର ମୂର୍ତ୍ତି କିମ୍ବା ଅର୍ଦ୍ଧରାତ୍ରି

ଅର୍ଦ୍ଧଦିବା, ନତୁ ଅର୍ଦ୍ଧଛାୟା ଅର୍ଦ୍ଧକାୟା
ଏକତ୍ର ମିଶ୍ରିତ ଅବା ଯଥା ଅସମ୍ପୂର୍ଣ୍ଣ

 

ସାଧକ ହୃଦୟ-କ୍ଷେତ୍ର, ଅର୍ଦ୍ଧ-ଅନ୍ଧାରିତ

ଅର୍ଦ୍ଧ-ଆଲୋକିତ । ସାନି ସେ ସଙ୍ଗମ ତୀର୍ଥେ

ମଣିଲି ଆତ୍ମାକୁ ଧନ୍ୟ, ପବିତ୍ର, ନିର୍ମଳ ।

ହେଲା ତହିଁ ଭେଟ ମୋର ନାଗରାଜଜେମା

 

ଫୁଲ୍ଲାଙ୍ଗୀ ଉଲୁପୀ ସହ, ବରିଲା ସେ ମୋତେ

ଇଚ୍ଛାବରେ, ଘେନିଗଲା ପିତୃଗୃହେ ତାର,

ଦିନେ ମାତ୍ର ନାଗପୁରେ କରି ଅବସ୍ଥାନ,

ଜାମାତୃଗୌରବ ଗ୍ରହି ଆସିଲି ବାହୁଡ଼ି ।

 

ଅନନ୍ତର କଲି ଯାତ୍ରା ହିମାଳୟମୁଖେ,

ଅହୋ, କି ବିରାଟ ଗିରି, ଗର୍ବେ ଉଭା ଯଥା

ଭାରତସୌଭାଗ୍ୟ-ଶସ୍ତ୍ର-ପ୍ରିୟ-ପାଟହାତୀ

ଶ୍ୱେତକାନ୍ତ ଐରାବତ, ଅନନ୍ତ ଗାମ୍ଭୀର୍ଯ୍ୟେ ।

 

ମସ୍ତକେ କାଞ୍ଚନଚୂଡ଼ା, ଶୋଭେ ଆହା ଯଥା

କଷିତ କାଞ୍ଚନଚୂଡ଼ା, ନବରତ୍ନଖଚୀ,

ସନିର୍ଝର ତନୁ ତାର ବୀରତନୁ ପ୍ରାୟ

ବୀରତ୍ୱେ କର୍କଶ; ମାତ୍ର ଦୟାରେ ସଜଳ,

 

ହୋଇ ଗିରିବର ଚିର ହିମାନୀଆବୃତ

ଦୁରୁ ଦିଶେ ଭସ୍ମବୋଳା ଶଙ୍କରସଙ୍କାଶ ।

କେବେ ବା ଗମ୍ଭୀର ଶାନ୍ତ ନଟବର ମୂର୍ତ୍ତି

ଧରେ ମେଘ ଅନ୍ତରାଳୁ ହୋଇ ବିନିର୍ମୁକ୍ତ ।

 

କରଭ ପରାଏ ଘନ ଖେଳନ୍ତି ତା ଦେହେ

ଳୁଚକାଳି ଖେଳ, ଧାଇଁ ଧାଇଁ କେହି

ଘନବନ ଉହାଡ଼ରେ ଯାଉଅଛି ଲୁଚି,

ଗୋଡ଼ାଇ ପଛରେ କେହି, ପତ୍ରେ ପତ୍ରେ ଗଳି

 

ଖୋଜି ବୁଲୁଅଛି ତାକୁ ଅଧୈର୍ଯ୍ୟ ଉଦ୍‌ବେଗେ,

କାହିଁ ପରସ୍ପରେ କରି ପ୍ରେମ- ଆଲିଙ୍ଗନ

ଯାଉଛନ୍ତି ମିଶି ଦୁହେଁ, ଅବାରିତ ଭାବେ ।

ହିମାଦ୍ରୀ ଅନନ୍ତ କୋଟି ଜୀବର ବସତି,

 

ଆବର ଅନନ୍ତ କୋଟି ଜୀବ ଭାଗ୍ୟଭୂମି,

କର୍ମଭୁମି, ଧର୍ମଭୂମି, ସମନ୍ୱୟ ସ୍ୱର୍ଗ ।

ଅନନ୍ତ ମହିମାମୟୀ ଭାରତ-ମାତାର

ଅନନ୍ତ ଗାମ୍ଭୀର୍ଯ୍ୟ, ତେଜ, ମହତ୍ତ୍ୱ, ଦେବତ୍ତ୍ୱ,

 

ଐଶ୍ୱର୍ଯ୍ୟ ବୀର୍ଯ୍ୟର ଏହା ଅକ୍ଷୟ ଭଣ୍ତାର,

କଳ୍ପତରୁ ଏ ଗିରୀନ୍ଦ-ଭାରତ-ସ୍ୱର୍ଗର ।

ଆରୋହିଲି ଶୈଳେ, ଉଠି ବହୁଦୂର ଊଦ୍ଧ୍ୱେ

ପ୍ରବେଶିଲି ଋଷି-ରାଜ୍ୟେ, ଗୁହାମୟ ସ୍ଥାନେ,

 

ଉପବିଷ୍ଟ ଧ୍ୟାନେ ତହିଁ ଗୁମ୍ଫାକେ ଋଷିଏ,

ଆଲୋକିତ ଗିରିଗୁହା ଶରୀରପ୍ରଭାରେ,.

ତମୋମୟ ଖଣ୍ତିଗର୍ଭ ମଣିତେଜେ ଯଥା,

ବସି ବସି ବହିପାଣେ ଜଟା, ଲୋମାବଳୀ

 

ଉଜିଛି ପିଙ୍ଗଳ ବର୍ଣ୍ଣ, ଶୂନ୍ୟ ବରବପୁ,

ସମ୍ବଳ କେବଳ ମାତ୍ର କାଷ୍ଠର କୌପୀନ

ଶ୍ୱାପଦେ ନିରୀହ ତହିଁ, ତପସ୍ୟା ପ୍ରଭାବେ,

ସର୍ବେ ଫଳମୂଳାହାରୀ, ତପୋବ୍ରତ ପ୍ରାୟ ।

 

ତତ୍ପରେ ଗନ୍ଧର୍ବରାଜ୍ୟ, ଚିର-ମୁଖର ସେ

ଗୀତବାଦ୍ୟେ, କେତେ ନବ ସ୍ୱର ନବ ତାଳ

କର୍ଣ୍ଣରସାୟନ, ଉଠେ ହରଘଡି ତହୁଁ ।
ଗନ୍ଧର୍ବେ ବିଳାସପ୍ରିୟ, ଅଜ୍ଞ ନୃପପ୍ରାୟ,

 

ବିଳାସ- ନିଶାରେ ଭୋଳ ସ୍ତ୍ରୀପୁରୁଷ ବେନି ।

କେତେ ରତ୍ନ ଇତସ୍ତତଃ ବିକ୍ଷିପ୍ତ ସେ ସ୍ଥାନେ,

କାହିଁ ହୀରା ସ୍ତରେ ସ୍ତରେ ରହିଛି ପର୍ବତେ,

କାହିଁ ଅବା ପଦ୍ମରାଗ ମାଣିକ୍ୟ ପ୍ରଭାରେ

 

ତରୁଲତା ପଶୁପକ୍ଷୀ ଦିଶେ ରକ୍ତବର୍ଣ୍ଣା

ଅନନ୍ତର ପ୍ରବେଶିଲି ମହୌଷଧି-ରାଜ୍ୟେ,

କାହିଁ କ୍ରୋଶକ୍ରୋଶବ୍ୟାପୀ ଚନ୍ଦନ କାନନ,

କାହିଁ ଜ୍ୱଳେ ଜ୍ୟୋତିଲତା ସ୍ୱଚ୍ଛାଲୋକେ ତାର

 

କରନ୍ତି ପୁସ୍ତକ ପାଠ ରାତ୍ରେ ବନଦେବୀ ।

କି କହିବି ହୃଷୀକେଶ, ଔଷଧମହିମା,

ହୁଏ ତହି କ୍ଷୁଧା ତୃଷା ଆଜୀବନ ଦୁର,

ବୃଦ୍ଧ ହୁଏ ଯୁବା, ଅଛି ଗୁଲ୍ମ ଏକ ଜାତି,

 

ଯେ ଭକ୍ଷେ ତା ମୂଳ, ହୁଏ ଅଜର ଅମର ।

ବୁଡ଼ାଇଲେ ଲୌହ ତାହା ଯନ୍ତ୍ରନିର୍ଯାସରେ,

ହୁଏ ଲବେ ପରିଣତ ବିଶୁଦ୍ଧ କାଞ୍ଚନେ,

ମୁତ୍ୟୁସଞ୍ଜୀବନୀ ନାମେ ଅଛି ଏକ ଲତା,

 

ଛୁଆଇଁଲେ ଦେହେ ତାହା ଜୀଇ ଉଠେ ମୃତ ।

ତହିଁ ପରେ ଜୀବରାଜ୍ୟ, ନାନା ଜାତି ଜୀବ

ବିଚରନ୍ତି ସଦା ତହିଁ, ଅଦ୍ଭୁତଦର୍ଶନ,

ଦେଖି ନାହିଁ ,କେଉଁ କାଳେ ନରନେତ୍ର ତାହା,

 

କେହି ଅର୍ଦ୍ଧ ନରାକାର, ଅର୍ଦ୍ଧ ପଶ୍ୱାକାର,

କେହି ବା ବାନରାକୃତି, ମାତ୍ର ଭାଷାବନ୍ତ ।

କେଉଁ ଅଂଶ ଆମୋଦିତ କସ୍ତୁରୀସୌରଭେ,

ଭ୍ରମୁଛନ୍ତି ଦଳେ ଦଳେ କସ୍ତୁରିକା ମୃଗ,

 

କେଉଁ ଅଂଶ ଦଗ୍‌ଧୀଭୁତ ଭୁଜଗକୁଳର

ଅଗ୍ନିବର୍ଷୀ-ଆୟୁଶୋଷୀ-ବିଷନିଃଶ୍ୱାସରେ ।

କେଉଁ ଖଣ୍ତେ ଗଜମୁକ୍ତା ବିକ୍ଷିପ୍ତ ଗହଳେ,

ପକ୍ୱ କୋଳି ଜ୍ଞାନେ ତହିଁ ଥଣ୍ଟ ମାରି ଶୁକ

 

ହେଉଅଛି ପ୍ରତାରିତ ବାରମ୍ବାର କେତେ,

କମ୍ପୁଅଛି କେଉଁ ଅଂଶ ହରି କରୀ ଯୁଦ୍ଧେ,

ମୁମୂର୍ଷୁ ମାତଙ୍ଗ ଉଚ୍ଚ କରୁଣ ଚିତ୍କାରେ-

ହର୍ଯ୍ୟକ୍ଷ ଗର୍ଜନେ, ନଭ ପଡ଼ୁଅଛି ଭାଙ୍ଗି,

 

ହେଉଅଛି ଟଳଟଳ ଚିରି, ଫାଟିଯାଏ

ଚୁଡ଼ା, ବନବାସୀ ପଶୁପକ୍ଷୀ ଆଦି ସର୍ବେ

ମହାଭୟେ ଲୁଚୁଛନ୍ତି ପଳାଇ କେ କାହିଁ ।

ଅବସ୍ଥିତ ମେଘରାଜ୍ୟ ଜୀବରାଜ୍ୟ ଊର୍ଦ୍ଧେ,

 

ଦୁର୍ବିଷହ ଶୀତ ତହିଁ, ପଶିଲେ ସେ ରାଜ୍ୟେ

ପ୍ରତେ ହୁଏ ବସିଯାଇ ଧମନୀର ରକ୍ତ,

ରୁଦ୍ଧ ହୋଇଗଲା ଯେହ୍ନେ ସଞ୍ଚାଳନକ୍ରିୟା ।

ଦିବସରେ ସନ୍ଧ୍ୟା ତହି କରେ ରାଜପଣ,

 

ଧବଳିତ ସେ ପ୍ରଦେଶ- ହସ୍ତୀ ସିଂହ ବ୍ୟାଘ୍ର

ବହୁ ସାମୁଦ୍ରିକ ଜୀବ ଅସ୍ଥି କଙ୍କାଳରେ,

ନିବସେ ସେଠାରେ ଗଣ୍ତଭେରଣ୍ତ ବିହଙ୍ଗ

ଭିକ୍ଷଣ ବିରାଟକାୟ, ଆଣି ସେ ଉଠାଇ

 

ନିମ୍ନ ରାଜ୍ୟୁ ଚଞ୍ଚୁନଖେ ବ୍ୟାଘ୍ର ବାରଣାଦି

ଭୁଞ୍ଜେ ତହିଁ ନିରାପଦେ, ଆନ ଏକ ପକ୍ଷୀ,

ନାମ ତାର ତିମିଙ୍ଗିଳ ଭୋଜୀ, ଝାମ୍ପ ମାରି

ମଧ୍ୟ-ସମୁଦ୍ରରେ, ଧରି ଆଣି ତିମିଙ୍ଗିଳେ,

 

ଭୁଞ୍ଜେ ସୁଖେ ସୁବିଶାଳ ଅଧିତ୍ୟକା ପରେ ।

ଅନନ୍ତର ପ୍ରବେଶିଲି ତାରାରାଜ୍ୟେ ଯାଇ,

ଭ୍ରମନ୍ତି ଅସଂଖ୍ୟ କୋଟି ଗ୍ରହତାରା ତହିଁ

ବେଢ଼ି ଗିରି ଚଉପାଶେ, ଉଡ଼ନ୍ତି ଯେସନ

 

ଜ୍ୟୋତିରିଙ୍ଗ ପୁଞ୍ଜ ରାତ୍ରେ, ଘେରି ତୁଙ୍ଗ ବୃକ୍ଷେ ।

ଦେଖି ସେ ଲୋଭନ ଦୃଶ୍ୟ, ପ୍ରତେ ହୁଏ ଯେହ୍ନେ

ପିନ୍ଧିଛି ଗଳାରେ ଗିରି ବହୁ ଫେରାଯୁକ୍ତ

ଆଗ୍ନେୟ ଗୋଲକମାଳ- ଅସୂତ୍ରଗ୍ରଥିତ ।

 

ଶେଷ ଚୁଡ଼ା- ସ୍ୱର୍ଗରାଜ୍ୟ, ମିଳିଲି ସେଠାବେ,

କି ପବିତ୍ର, କି ଉଦାର, କିବା ଶାନ୍ତିମୟ,

ଅମର, କିନ୍ନର, ପକ୍ଷ ଭ୍ରମନ୍ତି ସତତ,

ବହେ ତହିଁ ମଧୁମତୀ, ଦୁଗ୍‌ଧବତୀ ନଦୀ

 

ପୂର୍ଣ୍ଣ କରି ପୁଣ୍ୟଗର୍ଭ ମଧୁ ଦୁଗ୍‌ଧ ଧାରେ ।

ଧୀରେ ବହେ ସମୀରଣ ଅମତେ ଗାହନି,

ନୁହେଁ ଦୁଷ୍ଟ ସେ ସମୀର ପାର୍ଥିବ ନିଃଶ୍ୱାସେ,

ଅବିଶ୍ୱାସ-ବିଷବାଷ୍ପ ମିଶି ନାହିଁ ତହିଁ ।

 

କେନ୍ଦ୍ରୀଭୁତ ସେ ଶିଖରେ ବିଶ୍ୱର ସୁଷମା,

କେନ୍ଦ୍ରୀଭୁତ ଇତିହାସେ ଯଥା ଅତୀତର

ସଭ୍ୟତା- ସମ୍ପଦ, ଜାତି କିମ୍ବା ସମାଜର,

 

ପ୍ରକୃତିର ଲୀଳାଖେଳା ପ୍ରଭୃତିରୁ ତହି

ହେଉଛି ଶୋଭାର ସୃଷ୍ଟି, ଭାଷାସୃଷ୍ଟି ଯଥା

ମନୋଗତ ଭାବରାଶି ଲୀଳାକ୍ରୀଡ଼ାଦିରୁ ।

ଭ୍ରମି ଭ୍ରମି ହିମାଦ୍ରିର ଶିଖରେ ଶିଖରେ,

 

ସ୍ନାନ କରି ବହୁ ତୀର୍ଥେ-ଅମରବାଞ୍ଛିତ,

ହେଲି ଉପସ୍ଥିତ ଶେଷେ ମାନସପ୍ରତୀରେ ।

ଅଶାନ୍ତ ଉତ୍ସବମୟୀ ସେ ଦେବଦୀର୍ଘିକା-

ନାନାଜାତି ପଶୁପକ୍ଷୀ ଦ୍ୱନ୍ଦ୍ୱ କୋଳାହଳେ,

 

କିନ୍ତୁ ପ୍ରୀତିପୂର୍ଣ୍ଣ, ତୃପ୍ତିପୂର୍ଣ୍ଣ ଦୃଶ୍ୟ ତାର,

ଅକସ୍ମାତ କାହୁଁ ଆସି ବେଢ଼ିଲେ ମାନସେ

ଅଗାଧ ସାହସ, ଭକ୍ତି, ଅଗାଧ ଆନନ୍ଦ,

ବେଢ଼ିଛନ୍ତି ଯଥା ସରେ ରାଜହଂସାବଳୀ ।

 

ହେଲା ଉପଲବ୍‌ଧ ଯେହ୍ନେ, ସେ ସର ଦର୍ଶନେ

କି ଏକ ନବୀନ ପୂଣ୍ୟ ସ୍ୱର୍ଗୀୟ ଜୀବନ,

ଚତୁର୍ଦ୍ଦିଗେ ଶୁଣିଲି ମୁଁ ମାତୃତ୍ୱ ଆହ୍ୱାନ

ସ୍ନେହ- ସୁଧାବୋଳା, ପ୍ରାଣ ଉଠିଲାକ ପୂରି

 

ପରମ ପୁଲକେ, ହେଲା ଆତ୍ମା ସୁଶୀତଳ ।

ସନ୍ତରନ୍ତି ସେ କାସାରେ ସୂବର୍ଣ୍ଣ ବିଶାରେ, ୧

ଫୁଟିଛି ସୁବର୍ଣ୍ଣ ପଦ, ଉଡ଼ୁଛନ୍ତି ଅଳି,

ପ୍ରତ୍ୟହ ପ୍ରଭାତେ ତହିଁ ସ୍ନାନି ସପ୍ତର୍ଷିଏ

୧-ମତ୍ସ୍ୟ ।

 

ସତୀ ଅରୁନ୍ଧତୀ ସହ, ତୋଳି ସ୍ୱର୍ଣ୍ଣପଦ୍ମ

ଘେନିଯାନ୍ତି ଧ୍ରୁବଲୋକେ, ବ୍ରହ୍ମପୂଜା ଅର୍ଥେ ।

ଜଳେ ପଶି କଲ ସ୍ନାନ, ଖେଳିଲି ଘଡ଼ିଏ

ମାତୃକୋଳେ ଶିଶୁ ପ୍ରାୟ, ସନ୍ତରି, ସନ୍ତରି,

 

କି ଶୀତଳ ସୁଧା-ବାରି, ପାରେ ସେହି ଏକା

ଉବ- ହୁତାଶନ-ଦଗ୍‌ଧ ଆତ୍ମାକୁ ଶୀତଳି ।

ଅତଃପର ଅଙ୍ଗେ, ବଙ୍ଗେ, ବହୁସ୍ଥାନେ ଭ୍ରମି

ଦେଖି ବହୁ ତପୋବନ, ସ୍ନାନି ବହୁତୀର୍ଥେ,

 

ମିଳିଲି ଆସି ମୁଁ ପୂର୍ବ ପାରାବାର ତୀରେ ।

ମାହେନ୍ଦ୍ର ନଗର ନାମେ ଅଛି ତହିଁ ରାଜ୍ୟ,

କରନ୍ତି ପାଳନ ତାହା ଚିତ୍ରଭାନୁ ରାଜା,

ମହାଧନୀ, ବୀରଗୁରୁ ପ୍ରବଳପ୍ରତାପ,

 

ତାହାଙ୍କ ଲକ୍ଷିତ ଶର ଅବ୍ୟର୍ଥ ସର୍ବଥା ।

ଅପୁତ୍ରକ ସେ ନୃପତି ପରମ ଧାର୍ମିକ,

ଅଛି କନ୍ୟାଟିଏ ମାତ୍ର ଚିତ୍ରାଙ୍ଗଦା ନାମେ,

ଦେଖି ମୋତେ ଚିତ୍ରଭାନୁ, ଘେନିଯାଇ ଗୃହେ,

 

ବହୁ ସମାରୋହେ କଲେ ଦୁହିତା ପ୍ରଦାନ ।

ପୂର୍ଣ୍ଣ ସମ୍ବତ୍ସର ପରେ ଘେନିଣ ବିଦାୟ

ନବ ବୈବାହିକ ପାଶୁଁ, କେତେ ଦିନ ଅନ୍ତେ

ହେଲି ଉପସ୍ଥିତ ଗଙ୍ଗାସାଗର ସଙ୍ଗମେ ।

 

କି ଭୈରବ ମହୋତ୍ସବ, କି ରୁଦ୍ର ତାଣ୍ତବ

ସୁଜିଛି ବାରୀନ୍ଦ୍ରବର, ଧାବିତ ସବେଗେ

ଅନନ୍ତ ତରଙ୍ଗାବଳୀ, ଅନୁଦୃଷ୍ଟି ହୀନ, ୨

ତରୀ, ତୁଣ,କାଷ୍ଠଆଦି ଯାହା ପାଏ ଆଗେ,

୨- ପଶ୍ଚାତ୍‌ଦୃଷ୍ଟିହୀନ ।

 

ସାନ ବଡ଼ ନିର୍ବିଶେଷେ, ଆଲିଙ୍ଗି ତାହାକୁ

ଚାଲିଯାଏ ବେଳାମୁଖେ, ସେ ପ୍ରେମ ଆଶ୍ଳେଷେ

କିଏ ସୁଖୀ, କେ ଅସୁଖୀ, ନ ଦେଖେ ସେ ତାହା

ଲେଉଟି ପଛକୁ ଚାହିଁ, ଧାଏଁ ଏକଲକ୍ଷ୍ୟେ ।

 

ସିନ୍ଧୁ ଭାଗୀରଥୀ ଯୋଗ, କରାଳ ସୁନ୍ଦର,

କରି ସିନ୍ଧୁ ଜାହ୍ନବୀର କର ବିମର୍ଦନ

ଯାଉଛି ପାଛୋଟି ଘେନି, କିଛି ଦୂର ଯାଇ

ରତ ପରସ୍ପରେ ପ୍ରେମପୁତ ଆଲିଙ୍ଗନେ,

 

ତହିଁ ପରେ ଦୁହେଁ ମିଶି ଭଜିଲେ ଏକତ୍ୱ,

ସେ ମହାମିଳନ ଦେଖି, ମଜ୍ଜି ସେ ସଙ୍ଗମେ,

ସାର୍ଥ କଲି ନେତ୍ର, କଲି ନରତନୁ ଶୁଦ୍ଧ ।

ତହୁଁ ଯାଇ ପ୍ରବେଶିଲି ଉତ୍କଳମଣ୍ତଳେ,

 

କି ଅଜ୍ଞାତ ଭାବାବେଗେ ଉଠିଲାକ ହୋଇ

ସହସା ବିଭାର ପ୍ରାଶ, ଯେହ୍ନେ ଅଲକ୍ଷ୍ୟରେ

ମାଜିଦେଲା କିଏ ମୋର ବିକୃତ ନୟନ

ପୃଣ୍ୟର ଶୀତଳ ସ୍ନିଗ୍‌ଧ ଅମୃତ ଅଞ୍ଜନେ ।


ଢାଳିଦେଲା ଆନନ୍ଦର ସଞ୍ଜୀବନୀ ସୁଧା

ଅନ୍ତରର ଅନ୍ତସ୍ଥଳେ, ଆନନ୍ଦ ସାଗରେ

ଉଠିଲା ଜୁଆର ଯେହ୍ନେ, ଉଦ୍‌ବେଳ ପ୍ଳାବନେ ।

ଗିରିଗଭାମୟୀ ଭୁମି-ବାନନ-କୁନ୍ତଳା,

 

କିବା ସେ ସଂକ୍ଷିପ୍ତସାର ଭାରତମାତାର,

କେତେ ତୀର୍ଥ ତହିଁ, ପ୍ରତି ଲୋମକୁପେ ତାର

ରାଜେ ତୀର୍ଥ-ମହାତୀର୍ଥ, କୋଟି ତୀର୍ଥବତୀ ।

ବହେ ତହିଁ ହୈମବତୀ ମହାନଦୀ ନାମେ,

 

ବିପୁଳ ବିସ୍ତାରମୟୀ, ସ୍ନାନ କଲେ ତହିଁ

ଶରୀରୁ, ମାନସୁ ହୁଏ କଳ୍ମଷ ବିଧୌତ ।

ଛୁଇଁଲେ ସେ ପୁଣ୍ୟସ୍ଥଳୀ ହୁଏ ଦୁରୀଭୁତ

ଇତର ପ୍ରାକୃତ ଭାବ, ପୂର୍ଣ୍ଣ ହୁଏ ମନ

 

ଧର୍ମଭାବେ, ରେଣୁ ତାର କୈବଲ୍ୟକଣିକା,

ମର୍ତ୍ତ୍ୟର ବୈକୁଣ୍ଠଧାମ ନିଶ୍ଚେ ସେ ନଗରୀ ।

କରନ୍ତି ନିବାସ ତହିଁ ଏକଜାତି ବୀର,

ଅଦ୍ଭୁତ, ଅଶ୍ରୁତ ତାଙ୍କ ବୀରତ୍ୱ ମହିମା,

 

ପାରନ୍ତି ପକାଇ ଗଣ୍ଠି ଉତ୍କଳୀୟ ଶୁରେ

ଅବହେଳେ ସ୍ଥୁଳ ଲୌହ ଶାବଳ ମଧ୍ୟରେ

ଦୃଢ଼ ମୁଷ୍ଟି ନିସ୍ପେଷଣେ କରନ୍ତି ବାହାର

ତୈଳ ତିଳସର୍ଷପରୁ, ମାରି ବାହାସ୍ଫୋଟ

ପକାନ୍ତି ଉପାଡ଼ି ତାଳ, ଶାଳ ତରୁଚୟେ ।

 

ସେ ଦେଶର ଭବିଷ୍ୟତ ଅତୀବ ଉଜ୍ଜ୍ୱଳ,

ପ୍ରତେ ହୁଏ ଏହା, ତାର ବର୍ତ୍ତମାନ ଦେଖି ।

ପ୍ରସ୍ତର, ମୃତ୍ତିକା, କାଷ୍ଠ, ଧାତୁ ଆଦି ଶିଳ୍ପେ

କୁଶଳ ଉତ୍କଳବାସୀ, ଶିଳ୍ପରେ ଉତ୍କଳ

 

ରଖିଛି,ରଖିବ ସଦା ଭାରତ-ଗୌରବ,

ସଙ୍ଗୀତେ, ସାହିତ୍ୟେ ତାର ଟେକ ନୁହେଁ ଊଣା ।

ନୀଳାଦ୍ରି ମଣ୍ତଳ ନାମେ ଅଛି ଏକ ସ୍ଥଳୀ

 

ମହୋଦଧି ଦାଢ଼େ, ସଖେ ! ବୁଲେ ତହିଁ ଖେଳି

କି ଏକ ଉଦ୍ଦୀପନାର ଜୀବନ୍ତ ମହିମା,

ହେଲେ କେହି ମହାକବି ନ ପାରିବ ବର୍ଣ୍ଣି

ସେ ମହିମା, ଯିବ ତୁଣ୍ତ ଖନି ମାରି ତାର,

 

ଦେଖିଲି ସାଗର ତୀରେ ରହିଛି ସଜ୍ଜିତ

ପଣ ପଣ ପଣ୍ୟତରୀ, ପ୍ରତେ ହେଲା ଯେହ୍ନେ

କମଳାଭଣ୍ତାର ସ୍ଥିତ ରତ୍ନାକର ଗର୍ଭେ ।

ପଟାନ୍ତରହୀନ- ସିନ୍ଧୁ ଚିତ୍ତହର ଦୃଶ୍ୟ,

 

କେଡ଼େ ଉନ୍ମତ୍ତତା, କେଡ଼େ, ଗଭୀର ଗର୍ଜନ,

ଉଠୁଛି କି କୋଟି ବଜ୍ର ଏକକାଳେ ଅବା

ଭୈରବେ ହୁଙ୍କାରି, କିନ୍ତୁ ସେ ଉନ୍ମାଦ ଦୃଶ୍ୟ

ସଙ୍କୀର୍ଣ୍ଣତା, ଦୁର୍ବଳତା ହରି ନରଚିତ୍ତ,

 

ଘେନିଯାଏ ଉଦାରତା ବିଶାଳତା ଆଡ଼େ,

ମୁହୁର୍ତ୍ତେ ସେ ହରିନିଏ ଅସ୍ମିତା ନରର ।

ଅନନ୍ତର ଅବଗାହି ଋଷିକୁଲ୍ୟା ତୀର୍ଥେ,

ପଶିଲି ଦେବେନ୍ଦ୍ରାବାସ ମହେନ୍ଦ୍ର କାନ୍ତାରେ,

 

ମହେନ୍ଦ୍ର ନାମରେ ଗିରି ଅବସ୍ଥିତ ତହିଁ,

ପର୍ଶୁ ରାମସ୍ପର୍ଶପୁତ, ଝରେ ତା ଶରୀରୁ

ମହେନ୍ଦ୍ରତନୟା ନାମେ ପୁଣ୍ୟ ତରଙ୍ଗିଣୀ,

ସ୍ନାନ କରି ହର୍ଷେ ତହିଁ, ବିହିଲି ତର୍ପଣ

 

ଦେବ, ପିତୃଗଣଙ୍କର, ଭ୍ରମିଲି ପର୍ବତେ ।

ସହସା ଘଟିଲା ଏକ ବିଷମ ସଙ୍କଟ,

ଗଣ୍ତା ଭ୍ରମେ କଲି ହାୟ, ଗୋବଧ ଅଜ୍ଞାନେ,

କି କରିବି ନ ଦିଶିଲା ବୁଦ୍ଧି ବାଟ କିଛି,

 

ହୋଇଗଲା ଯେହ୍ନେ ଅହୋ, ସତ୍ୱର ରହିତ

ହୃତପିଣ୍ତର କ୍ରିୟା, ହେଲି ଅନୁତାପେ ଘାରି,

ଭାବିଲି ବିସର୍ଜ ପ୍ରାଣ ଯୋଗ୍ୟ ପ୍ରାୟଶ୍ଚିତ୍ତ

ବିହିବି ମୁଁ ଏ ପାପର, ଏମନ୍ତ ସମୟେ

 

ହେଲା ଅଶରୀରୀ ବାଣୀ ଶୂନ୍ୟମଣ୍ତଳରୁ-

‘‘ପକାଅ ଅର୍ଜୁନ, ନେଇ ଏ ମୃତ ଗୋଧନେ

ମହେନ୍ଦ୍ରତନୟା ସିନ୍ଧୁ ପବିତ୍ର ସଙ୍ଗମେ,

କର ତହିଁ ସ୍ନାନ, ହେବ ପାପମୁକ୍ତ ।’’ ଶୁଣି


ଏ ଆଦେଶ, ହେଲି ସଖେ, ଆଶ୍ୱସ୍ତ, ସଜୀବ,

ପାଳିଲି ତକ୍ଷଣେ ତାହା ଯଥାତଥରୁପେ ।

ନେବାବେଳେ ଧନୁ ହୁଳେ ସେ ଦୁଷିତ ଶବେ,

ପଡ଼ିଲା ପଥରେ ଛିଡ଼ି କାନ ପୁଣ୍ଟି ତାର,

 

ସବଳେ ଫିଙ୍ଗିଲା କାଳେ ସେ ସଙ୍ଗମ ତୀର୍ଥେ,

ବରଷିଲା କୋଟି କୋଟି ରୁଧିରକଣିକା,

ସଂସ୍ଥାପି ସେ ତିନି ସ୍ଥାନେ ତିନି ଶିବଲିଙ୍ଗ-

ପ୍ରଥମେ ଗୋକର୍ଣ୍ଣେଶ୍ୱର, ଦୁଯେ ପୁଟେଶ୍ୱର,

 

କୋଟିଲିଙ୍ଗେଶ୍ୱର ନାମେ ତୃତୀୟ ସ୍ଥାନରେ,

ଦକ୍ଷିଣ ସାଗରମୁଖେ କଲି ତହୁ ଯାତ୍ରା ।

ଲଙ୍ଘି ପଥେ ଗୋଦାବରୀ, କୃଷ୍ଣା-କୃଷ୍ଣବେଣୀ,

ବହୁ ଗିରି, ବହୁ ଗ୍ରାମ, କାନ୍ତାର, ପ୍ରାନ୍ତାର,

 

ହେଲି ଉପସ୍ଥିତ ଶେଷେ ରାମେଶ୍ୱରଧାମେ,

ଦେଖିଲି ଶ୍ରୀରାମକୃତ ଦୀର୍ଘ ଶିଳାସେତୁ

ବିରାଜେ ବାରିଧିବକ୍ଷେ, ବହି ତେତାସ୍ମୃତି ।

ପୁଜି ରାମେଶ୍ୱର ଶିବେ ଭକ୍ତି ଉପଚାରେ,

 

ପିଇଣ ଚରଣାମୃତ- ଦୁଃଖ, ତାପହର,

ବାହାରିଲି ତହୁଁ ମୁହିଁ ପଶ୍ଚିମାଭିମୁଖେ,

କେତେ ଦିନେ ଉପସ୍ଥିତ ପ୍ରଭାସ ତୀର୍ଥରେ,

ସୌଭାଗ୍ୟତଃ ହେଲା ତହିଁ ତୁମ୍ଭ ସହ ଭେଟ । ’’

 

ନୀରବନ୍ତେ ପାଥ ହସି ଭାଷିଲେ କେଶବ-

‘‘ଭାଗ୍ୟବାନ ଭାଇ ତୁମ୍ଭେ, ଭ୍ରମି ବହୁ ତୀର୍ଥେ

ଅର୍ଜିଲ ଅକ୍ଷୟ ପୁଣ୍ୟ ଅକ୍ଷୟ ପୌରୁଷ ।’’

ଉତ୍ତରିଲେ କୃଷ୍ଣସଖା, ବିନୟେ ମଧୁରେ-

 

‘‘ସତ୍ୟ ସଖେ, ସତ୍ୟ ସତ୍ୟ ଭାଗ୍ୟଧର ମୁହିଁ,

ଦର୍ଶନେ ଶ୍ରୀପଦ ଯାଙ୍କ ମିଳେ ଅବହେଳେ

କୋଟି ତୀର୍ଥ ଦର୍ଶନର କୋଟିଗୁଣ ଫଳ,

କିଏ ଭାଗ୍ୟବାନ ତାଙ୍କ ଭୃତ୍ୟଠାରୁ ବଳି ?’’

 

ସଗବାକ୍ଷ କକ୍ଷେ ବସି ପୁରଲକ୍ଷ୍ମୀକୁଳ

ଶୁଣୁଥିଲେ ପାର୍ଥ ଉକ୍ତ ଭ୍ରମଣ କାହାଣୀ,

ଶୁଣୁଥିଲା ଭଦ୍ରା ବସି ଉତ୍କର୍ଣ୍ଣେ ଉଦ୍‌ବେଗେ,

ଚାହୁଁଥିଲା ଥରେ ଥରେ ଚୋରା ଚାହାଣୀରେ

 

ପାର୍ଥ ମୁଖେ, ପାର୍ଥ ସୁଦ୍ଧା ଆଗ୍ରହ କଟାକ୍ଷେ

ଶୁଝି ଦେଉଥିଲେ ସେହି ଋଣି ବାରମ୍ବାର ।

ନିକ୍ଷେପି ଉଭୟ ପ୍ରତି ଉଭୟେ ସେକାଳେ

ହୃଦୟଉଜୁଡ଼ା ଦୃଷ୍ଟି, ଲୁଟିଲେ ଅଲକ୍ଷ୍ୟେ

 

ପରସ୍ପର ହୃଦ, ଦୁହେଁ ଦୁହିଁଙ୍କ ମଧ୍ୟରେ

ଚିତ୍ତଲଖା ନୂତନତ୍ୱ ଦେଖି ପ୍ରତିଥର

କଲେ ଆତ୍ମା ବିନିମୟ ନୟନେ ନୟନେ ।

ଅଲକ୍ଷ୍ୟେ ଆରବ୍‌ଧ ହେଲା ପ୍ରଣୟର କାର୍ଯ୍ୟ ।

 

ଶୁଣି ବୀରବାଳା ପାର୍ଥ ବୀରତ୍ୱ କାହାଣୀ

ଦୈନ୍ୟଉକ୍ତିବୋଳା, ହୋଇ ଉଠିଲା ଉତ୍‌ଫୁଲ୍ଲ,

ମିଶିଲା ଶୋଣିତେ ଯେହ୍ନେ କେବଣ ଅଦ୍ଭୁତ

ବୈଦ୍ୟୁତିକ ଶକ୍ତି,ମୁଖ ଦିଶିଲା ଉଜ୍ଜ୍ୱଳ

 

ମଧ୍ୟାହ୍ନ କମଳ ପ୍ରାୟ, ଫୁଲକୁଳେଶ୍ୱରୀ ।

ସେ କାଳର ଭାବ ବାଳା ରଖିଲା ଘୋଡ଼ାଇ

ଗୁଢ଼ ଆବରଣେ, ଏକା ସତ୍ୟଭାମା ବିନା

ନ ପାରିଲେ ଆନ କେହି ଲକ୍ଷ୍ୟ କରି ତାହା ।

 

ରତ ହେଲେ କୃଷ୍ନାର୍ଜୁନ ଅନ୍ୟ ପ୍ରସଙ୍ଗରେ,

ବାହୁଡ଼ିଲେ ମହିଷୀଏ ଶୁଦ୍ଧାନ୍ତାଭିମୁଖେ,

ଉଠିଗଲା ଭଦ୍ରା, ମାତ୍ର ଅର୍ଜୁନ ହୃଦୟେ

ରଖିଗଲା ପ୍ରତିବିମ୍ବ, ଦେଇ ଗଲା ପୁଣି

 

କି ଏକ ଅଜ୍ଞାତ ତୃଷା, ଅନୀରନିବୃତ୍ତ ।

ପାର୍ଥହୃଦ- ମୃର୍ତ୍ତିଯନ୍ତ୍ର ୧, ରହିଗଲା ତହି

ସୁଭଦ୍ରା ପ୍ରତିମା ଦୃଢ଼େ ହୋଇ ସମାଙ୍କିତ,

ତଥା ପୁଣି ଭଦ୍ରାହୃଦ, ଘେନିଗଲା ସେହୁ

୧-ଫଟୋବ୍ରାଯ ।

 

ପାର୍ଥମୁର୍ତ୍ତି, ରଙ୍କଜନ ଗଣ୍ଠିରତ୍ନ ପ୍ରାୟ ।

ବାରମ୍ବାର ଚାହିଁ ଚାହିଁ ପଛକୁ ସୁଭଦ୍ରା

ଯାଉଁ ଯାଉଁ ଖଣ୍ତେ ଦୁରେ ରହିଗଲେ ପଛେ,

ଡାକଦେଲେ ସତ୍ୟଭାମା, ‘‘ଆସ ଜେମାମଣି,

 

ରହିଲାଣି ଏତେ ପଛେ, ବୃଦ୍ଧା ନାରୀ ପ୍ରାୟ,

ନାହିଁ କି ଗୋ ପାଦେ ବଳ, କେ ହରିଲା ତାହା !’’

ଭାଷିଲେ ସୁଭଦ୍ରା ତହୁଁ ହୋଇ ଅପ୍ରତିଭ-

‘‘ଯାଉଛି ଯାଉଛି ଦେବି ! ଝୁଣ୍ଟିଲି ପଥରେ ।’’

 

‘‘ଜାଣିଥିଲି ଝୁଣ୍ଟିବୁତୁ ଝୁଣ୍ଟିଆଶୋଭିନି, ’’

ପ୍ରତିବାକ୍ୟେ ସତ୍ୟଭାମା ବୋଇଲେ ସହାସ୍ୟେ,

‘‘ପ୍ରଥମେ ପ୍ରଣୟ ପଥେ ଝୁଣ୍ଟିବା ମଙ୍ଗଳ,

କିନ୍ତୁ ହୋଇ ନାହିଁ ତ ଗୋ କ୍ଷତ ଜେମା ମଣି,

 

ପାଦେ କିମ୍ବା ହୃଦେ, ଯଦି ହୋଇଥାଏ ପାଦେ

ଶୁଖିଯିବ ତେବେ ତାହା ବଳେ ବଳେ ଆପେ,

ମାତ୍ର ହୃଦକ୍ଷତ, ସଖି, ହେବ ନାହିଁ ଶୁଷ୍କ

ନ ଲଭିଲେ ଜରୋଷଧୀ ଅର୍ଜୁନ ରସ ସେ । ’’ ୨

୨- ଅର୍ଜୁନଗଛର ଛାଲ ଚୂର୍ଣ୍ଣ କରି ପ୍ରୟୋଗ କଲେ କ୍ଷତ ଆରୋଗ୍ୟ ହୁଏ ।

 

ଶୁଣି ଏ ଛଳୋକ୍ତି ଭଦ୍ରା, ସାହିତ୍ୟପ୍ରବୀଣା,

ନ ଦେଲା ଉତ୍ତର କିଛି, ରହିଲା ମଉନେ,

ରୋଧଦେଲା କଣ୍ଠ ତାର ସ୍ତ୍ରୀସୁଲଭ ଲଜ୍ଜ୍ୱା ।

ପ୍ରାଣ ମଧ୍ୟେ ବହି ଏକ ନୁତନ ଅଭାବ,

 

ଅପୂର୍ଣ୍ଣ ଆକାଙ୍କ୍ଷା, ବାଳା ପ୍ରବେଶିଲା ଯାଇ

ଭ୍ରାତୃଜାୟା ଗହଣରେ ଅନ୍ତଃପୁର ମଧ୍ୟେ ।

 

Unknown

ଷଷ୍ଠ ସର୍ଗ

ଭଡ଼ିଯାଇ ପୋଷା ପକ୍ଷୀ ପଞ୍ଜୁରୀରୁ ଯଥା

ବସେ ତରୁଶାଖେ, ତଥା ଭଦ୍ରାମନ- ପକ୍ଷୀ

ଉଡ଼ିଯାଇ ବସିଲାକ ଅର୍ଜୁନ- ପାଦପେ,

ନ ଫେରିଲା ଦେହେ ଆଉ, ଦେଖି ବାଳା ତାର

 

ମାନସ ଦେବତା ପାର୍ଥେ, ସେ ଦେବତା ପାଦେ

ଦେଲାକ ସମର୍ପି ନିଜ ଆତ୍ମା, ପ୍ରାଣ, ଚିତ୍ତ,

ସେ ତାହାର ପ୍ରତି କାର୍ଯ୍ୟେ ପ୍ରତ୍ୟେକ ଚିନ୍ତାରେ

ପ୍ରତି ପ୍ରାକୃତିକ ଦ୍ରବ୍ୟେ ଦେଖିଲା ଅର୍ଜୁନେ,

 

ସଂସାର ଅର୍ଜୁନମୟ ପ୍ରତେ ହେଲା ତାକୁ ।

ଗୁନ୍ଥୁଛି ସୁଭଦ୍ରା ଫୁଲ, ମାତ୍ର ମନ ତାର

କଳ୍ପନା-ସ୍ୟନ୍ଦନେ ବସି ବୁଲୁଅଛି ଘୁରି

କେବଣ ଅଜ୍ଞାତ ରାଜ୍ୟେ, କେବେ ଅବା ଯାଇ

 

ଭେଟି ଆସୁଅଛି ପାର୍ଥେ, ପୂର୍ବଦୃଷ୍ଟ ସ୍ଥାନେ ।

ବିଭୋର ସେ ଯେହ୍ନେ କିବା ମହାଭାବନାରେ,

କି ଏକ ସଂସାରଛଡ଼ା ପଦାର୍ଥ ସକାଶେ

ଚଞ୍ଚଳ ମାନସ ତାର, ଚିନ୍ତାମଗ୍ନ ବାଳା,

 

ଏ ସ୍ୱଚ୍ଛ ଜାହ୍ନବୀ ଜଳେ କାହୁଁ ଆସି ଆହା

ପଶିଲା ଏ କୃମି, କିମ୍ବା ଦୂରନ୍ତ ବଲ୍ମୀକ-

ଭାଗବତ ଗାଦିଗର୍ଭେ, ପବିତ୍ର, ପୂଜିତ

ଚିନ୍ତାରେ ମଳିନ ଚିରହାସ୍ୟମୟ ଆସ୍ୟ,

ପଡ଼ିଛି ଝାଉଁଳି କିବା ପ୍ରଫୁଲ୍ଲ ଗୋଲାପ

 

ସ୍ଥଳାଶତଦଳ, ଦୃଷ୍ଟା କୀଟ ବିଦଂଶନେ ।

ଗୁନ୍ଥୁଅଛି ବସି ଫୁଲ ଅଯତ୍ନ ବିନ୍ୟାସେ,

ଯାଉଅଛି କେତେ ଫୁଲ ବକ୍ରେ ଗୁନ୍ଥି ହୋଇ,

କେହି ବା ଓଲଟା, ନାହିଁ ତହିଁ ପ୍ରତି ନିଘା ।

 

ଗୁନ୍ଥିବା ସମୟେ ଧରି ଚମ୍ପକକଳିକା,

କେ ଆଙ୍ଗୁଳି, କେ କଳିକା, ହେଉ ନାହି ବାରି,

କି ସୁନ୍ଦର ସେ ଅଙ୍ଗୁଳି, ପୁଷ୍ପରେଣୁ ମଖା,

ଚନ୍ଦନେ ଚର୍ଚ୍ଚିତ କିବା ସୂବର୍ଣ୍ଣଶଳାକା ।

 

କି ସୁନ୍ଦର, ଆହା, ବାତା ଚିନ୍ତାଶୀଳା ମୁର୍ତ୍ତି,

ଇଷ୍ଟାଧ୍ୟାନରତା ଯଥା ନବୀନା ତାପସୀ,

କିମ୍ବା ଫୁଲ ସୂର୍ଯ୍ୟମୁଖୀ- ଅବାତସ୍ପନ୍ଦିତା ।

ଭାବୁଛି ଏସନ ବାଳା - ଲାବଣ୍ୟପିତୁଳା-

 

‘‘ଶୁଣୁଥିଲି ଯାହା ପାର୍ଥ ପୂର୍ଣ୍ଣ ନର ବୋଲି,

ସତ୍ୟ ସେ ବଚନ, କେଡ଼େ ପ୍ରେକ୍ଷାବାନ ସେହୁ

କଥାକେ କଥାକେ ଫୁଟି ଉଠୁଥାଏ ତାଙ୍କ

ଗାମ୍ଭୀର୍ଯ୍ୟ, ଔଦାର୍ଯ୍ୟ, ଧୈର୍ଯ୍ୟ, କେଡ଼େ ପ୍ରୀତିମୟ

 

ପ୍ରେମମୟ ସେ ବଚନ, ସତ୍ୟ- ସୁଧାବୋଳା ।

ଉଦାର ସନ୍ନ୍ୟାସୀ ବେଶ- ସ୍ୱପ୍ନ ଶୋଭାମୟ,

ଭାଗବତୀ ତନୁ ଢଙ୍କା ଗୈରିକ ବସନେ,

କରିଛି ଆବୃତ ଯଥା ପୁଣ୍ୟେ ପବିତ୍ରତା,

 

ସୁବିଶାଳ ବକ୍ଷସ୍ଥଳ- ଭକ୍ତି ପ୍ରସ୍ରବଣ,

ପ୍ରେମର ଅନନ୍ତ ଜ୍ୟୋତି ନିଃସରେ ନୟନୁ,

ସତ୍ୟ ସେ ଦ୍ୱିତୀୟ କୃଷ୍ଣ, ଅଦ୍ୱିତୀୟ ନର ।
ଅଛନ୍ତି ଏଭଳି ଭକ୍ତ ଭ୍ରାତୃଦେବଙ୍କର,

 

ଏ ସଂସାରେ, ଏହା ମୋର ନ ଥିଲା ବିଶ୍ୱାସ,

ଏହିଭଳି ସ୍ୱାମୀ, ଧର୍ମସାଧନେ ସହାୟ

ଅବକାର, ଧନ୍ୟ କୃଷ୍ଣା-କୃଷ୍ଣପରାୟଣା,

କେଉଁ ତପେ ଭାରତର ଏ ଶ୍ରେଷ୍ଠ ରତନେ

 

ଲମ୍ବାଇଲା ବକ୍ଷେ, ଧନ୍ୟ ତପସ୍ୟା, ତାହାର,

ସାର୍ଥକ ତା’ ନାରୀଜନ୍ମ- ସଧର୍ମଣୀ ଆଖ୍ୟା ।

ଦିଅନ୍ତା ଶିଖାଇ ଯଦି କେହି ଦୟା ବହି

ମୋତେ ସେ ତପସ୍ୟା, ହେଉ ଅସାଧ୍ୟ ପଛକେ

 

କ୍ଷୟ କରି ପ୍ରାଣ ତାହା କରନ୍ତି ସାଧନ ।

ଦାସୀ ହୋଇ ପାର୍ଥପଦେ, ସେ ପଦ ସହାୟେ

କରନ୍ତି ମୁଁ କୃଷ୍ଣନାମ ଭାରତେ ପ୍ରଚାର,

ଧର୍ମର ବିପ୍ଳବକାଳେ ମର୍ତ୍ତ୍ୟେ ବିଧାତୃବିଧାନେ,

 

ଅର୍ଜୁନ ସହାୟେ ନିଶ୍ଚେ ହେବ ଏ ଭାରତେ

ଧର୍ମାରାଜ୍ୟ ସଂସ୍ଥାପିତ ଭ୍ରାତୃଦେବଙ୍କର ।

ଅଧର୍ମର ନିପାତନ ଘଟିବ ନିକର,

କି ଆର୍ଯ୍ୟ, ଅନାର୍ଯ୍ୟ, ହୋଇ ହାତ ଧରାଧରି

 

ହେବେ ଧର୍ମକର୍ମେ ରତ, ବାଜିବ ସଘନେ

ଏ ଭାରତ- ଦେବାଳୟେ ଧର୍ମଘଣ୍ଟାସ୍ୱନ ।

ଅହୋ ? ଏ କି ଧର୍ମଗ୍ଳାନି ଏବେ ଏ ଭାରତେ,

ସର୍ବେ ସ୍ୱାର୍ଥପର, ପ୍ରତିହିଂସାପରାୟଣ,

 

ହୋଇଅଛି କ୍ଷାତ୍ର ଶକ୍ତି ପ୍ରତୀପମୁଖିନୀ,

ନୀତିରେ ଶାସନ ନାହିଁ, ଶାସନ ଅସିରେ ।

ଧର୍ମରାଜ୍ୟ- ହାୟ, ଆର୍ଯ୍ୟଧର୍ମରାଜ୍ୟ ଏବେ

ଭୀଷଣ ବିଷାଦମୟ, ଭ୍ରମେ ତହିଁ ଉଗ୍ର

 

ଉଚ୍ଛୁଙ୍ଖଳ ଉନ୍ମାଦନା, ନାହିଁ ପାପେ ଭୟ,

ନାହିଁ ଆଉ ତ୍ୟାଗେ କିମ୍ବା ସେବାରେ ପୌରୁଷ,

ରହିଲାଣି ତାହା ଭୋଗେ, ପରପୀଡ଼ନରେ ।

ବିଶ୍ୱବନ୍ଦ୍ୟ ଆର୍ଯ୍ୟଧର୍ମ- ସନାତନ ନୀତି -

 

ଲୋକପ୍ରୀତି, ଲୋକସେବା, ବିସୋରି ଏ ସତ୍ୟ,

ରତ ଆର୍ଯ୍ୟେ ଅନାଚାର ଅଧର୍ମାଚରଣେ-

ପ୍ରଧାବିତ ଦୁରାକାଙ୍କ୍ଷା- ସ୍ୱର୍ଣ୍ଣମୃଗ ପଛେ ।

‘‘ଜ୍ଞାନରାଜ୍ୟେ ସମସ୍ତଙ୍କ ତୁଲ୍ୟ ଅଧିକାର ’’,

 

ନାହିଁ ଏ ଉଦାର ନୀତି, ଏକା ବ୍ରାହ୍ମଣର

ପୂର୍ଣ୍ଣ ଆଧିପତ୍ୟ ବେଦେ, ଏ କି ଅତ୍ୟାଚାର !

ହୋଇପାରେ ନିଷିଦ୍ଧ ତା ଅଯୋଗ୍ୟ ପକ୍ଷରେ

ବର୍ଣ୍ଣନିର୍ବିଶେଷେ, ମାତ୍ର ନୁହେଁ ଯୋଗ୍ୟପକ୍ଷେ,

 

ବ୍ରାହ୍ମଣ ଅଯୋଗ୍ୟ ହେଲେ ତାହା ପ୍ରତି ସୁଦ୍ଧା

ନିଷିଦ୍ଧ ପଠନ ବେଦ, ସମୀଚୀନ ଏହା,

ଯେ ବୁଝିବ, ଯେ ଗଢ଼ିବ, ନ ବୁଝି ପଢ଼ିବା

ଖାଲି ବିଡ଼ମ୍ବନା ସିନା, ବିଫଳ ଯାତନା ।

 

ବଢ଼ୁଛି ବିରୋଧ ଆର୍ଯ୍ୟେ ଅନାର୍ଯ୍ୟ ମଧ୍ୟରେ,

ମଣ୍ତନ୍ତି ଅସ୍ଫୃଶ୍ୟ ଆର୍ଯ୍ୟ ଅନାର୍ଯ୍ୟ ଜାତିକୁ,

ଅନାର୍ଯ୍ୟଙ୍କ ରାଜ୍ୟେ ରହି ଘୃଣା ତାଙ୍କ ପ୍ରତି,

ଏହା ଘୋର କୃତଘ୍ନତା ନୁହେଁ କି ଆର୍ଯ୍ୟର ?

 

ଦୁହେଁଯାକ ସନ୍ତାନ ତ ଭାରତମାତାର,

ସମ୍ପର୍କରେ ଭାଇ, ତେବେ କିପାଁ ଏ ଲଘୁତା-

କିପାଁ ଏ ପ୍ରଭେଦ, କିପାଁ ହୃଦୟହୀନତା !

ଅନାର୍ଯ୍ୟ ତ ନର, ପୁଣି ଆର୍ଯ୍ୟ ସୁଦ୍ଧାନର,

 

ଚକ୍ଷୁ, କର୍ଣ୍ଣ, ଅବୟବ ସମାନ ବେନିର,

ତେବେ କିପାଁ ଉଚ୍ଚ ନୀଚ ସ୍ୱାର୍ଥପର ନୀତି,

ପରଶ୍ରୀକାତର ଭାବ, ହେଲେ ଏହା ଦୂର,

ତେବେ ହେବ ଧର୍ମରାଜ୍ୟ ସ୍ଥାପିତ ଭାରତେ ।

 

ହୋଇଛି ଭୀଷଣ କେଡ଼େ ହାୟ ଧର୍ମରାଜ୍ୟ,

ଭୀଷଣ ଯେସନ ଦୁଷ୍ଟ ମଦ୍ୟପବନ୍ଧୁତା,

ଯଥେଚ୍ଛାଚାରିତାପୂର୍ଣ୍ଣ ପାଠଶାଳା ଯଥା,

ଚାଟଙ୍କର ମରାମରି ଗାଳିଗୋଳେ ପୂର୍ଣ୍ଣ-

 

ଶାସୟିତା ଅବଧାନ ଅନୁପସ୍ଥିତିରେ ।

ଧର୍ମ ମାନବର ଗୁରୁ, ସେ ଗୁରୁକୁ ଆଣି

ସଂସ୍ଥାପିବ ଯେ ଅଶାନ୍ତ ବିଶ୍ୱପାଠଶାଳେ

ପୂର୍ଣ୍ଣ ଶାନ୍ତି, ସେ ନିଶ୍ଚୟ ନମସ୍ୟ ବିଶ୍ୱର ।’’

 

ସହସା ଉଠିଲା ସ୍ଫୁରି ଘନେ ବାମନେତ୍ର,

ବାମବାହୁ ସୁଭଦ୍ରାର, ମଙ୍ଗଳସୂଚକ,

ଏକାଳେ ମିଳନ୍ତେ ତହିଁ ସତ୍ୟଭାମା ଦେବୀ,

ନମିଲା ସୁଭଦ୍ରା ତାଙ୍କୁ ଉଠି ସସମ୍ଭ୍ରମେ,

 

ନମେ ସତ୍ୟଭାମା ଫିଙ୍ଗି ଭଦ୍ରାଶିରେ ଫୁଲ

ବିହିଲେ ଏ ଆଶୀର୍ବାଦ, ମୃଦୁହାସ୍ୟମୁଖେ-

‘‘ଲଭ ସନ୍ନ୍ୟାସିନୀ, ଯୋଗ୍ୟ ସନ୍ନ୍ୟାସୀ ସତ୍ୱର ।’’

ଭାଷିଲା ସୁଭଦ୍ରା, ‘‘ଦେବି, ନୁହେଁ ତ ସାମାନ୍ୟ

 

ପୁରୋଧାଚାତୁରୀ, କରେ ଆଶୀର୍ବାଦ ସେହୁ

ଯଜମାନସଂଗୃହୀତ ଫୁଲେ ଯଜମାନେ ।’’

‘‘ହେବି ଗୋ ପୁରୋଧା ସତ୍ୟ ସେ ଭାବିବିବାହେ

ସେଦିନ ଆସନ୍ନବର୍ତ୍ତୀ’’ - ଉତ୍ତରିଲେ ଦେବି,

 

‘‘ଆଉ ସେ ପ୍ରସଙ୍ଗ, ଆଗେ ବହ ଜେମାଦେଈ,

ଭାବୁଥିଲୁ କିସ ବସି ଏ ବିଜନ ସ୍ଥାନେ ?’’

ଉତ୍ତରିଲା ଭଦ୍ରା, ଉଠି ଉବ୍ଦେଗେ ଚମକି-

‘‘ଭାବି ନାହିଁ କିଛି ଦେବି ! ଗୁନ୍ଥୁଥିଲି ଫୁଲ । ’’

 

‘ନ କହ ପଛକେ ଭଦ୍ରେ !’ ଭାଷିଲେ ଭୈଷ୍ମକୀ

‘‘ଚକ୍ଷୁକୋଣେ, ଗୁନ୍ଥାଫୁଲେ ଦେଉଅଛି ଦେଖା

ମନକଥା ତୋର, ବୁଝା, ସରିଲାଣି ତାହା ।

ଆସିଛି ଦେବାକୁ ତୋତେ ମଙ୍ଗଳସମ୍ବାଦ,

 

ଦେବୁ ତୁ କି ପୁରସ୍କାର ? କହ ଭଦ୍ରା ତ୍ୱରା ।’’

କହିଲା ସୁଭଦ୍ରା ତହୁଁ ଉଚ୍ଚେ ହସି ହସି-

‘‘ଜଗତ ଯାହାର ସୃଷ୍ଟି, ଅର୍ପିବି ମୁଁ ତାକୁ

କେଉଁଠାରୁ ଆଣି ଅବା କେଉଁ ଉପହାର ?

 

ବାଣୀବିକା ବ୍ୟବସାୟ କେବେ ହେଲା ସତି ?’’

ଉତ୍ତରିଲେ ସତ୍ୟଭାମା, ‘‘ଆଉ ପୁରସ୍କାର,

ଯଥାକାଳେ ସକୁସୀଦ କରିବି ଆଦାୟ,

ଶୁଣ ଏବେ ଶୁଭବାର୍ତ୍ତା, ତବ ଭ୍ରାତୃ ଇଚ୍ଛା-

 

ଅର୍ପିବେ ସେ ପାର୍ଥ କରେ ତୁମ୍ଭଙ୍କୁ ସୁଭଦ୍ରା ।

ମଜ୍ଜିବାକୁ ଇଚ୍ଛା ପରା ଥିଲା ପାର୍ଥ-ତୀର୍ଥେ,

ମଜ୍ଜି ଏବେ ଆଜୀବନ, ଆକଣ୍ଠ, ଆଶିର,

କିନ୍ତୁ ପାରିବୁ ତ ସଖି, ପ୍ରତିଯୋଗିତାରେ-

 

ଦ୍ରୂପଦନନ୍ଦିନୀସହ- ସାପତ୍ନ୍ୟ ସମରେ ?’’

ଏହା ଭାଷି ସତ୍ୟଭାମା- ରଙ୍ଗରସମୟୀ,

ପ୍ରତ୍ୟୁତ୍ତର ଅବକାଶ ନ ଦେଇ ଭଦ୍ରାକୁ

ଚାଲିଗଲେ ଅନ୍ୟ କାର୍ଯ୍ୟେ ହସି ହସି ଧୀରେ ।

 

ଶୁଣି ଏ ସମ୍ବାଦ ଭଦ୍ରା ହେଲା ଆତ୍ମହରା,

ଆତ୍ମହରା ଯଥା ସୀତା- ବିଦେହ- କମଳା,

ହେଲା ତନୁ ରୋମାଞ୍ଚିତ, ବହିଲା ଶିରାରେ

ପ୍ରତିରୋମେ ରକ୍ତଧାରା, ବିପୁଳ ପୁଲକେ,

 

ଭାବିଲା ଏସନ ବାଳା, ‘‘ଅହୋ, କି ସୌଭାଗ୍ୟ

ଚିନ୍ତାମାତ୍ରେ କାର୍ଯ୍ୟ ସିଦ୍ଧ, ସ୍ୱପ୍ନ ହେଲା ସତ୍ୟ !

ଦୀନର କଳ୍ପନା ମାତ୍ରେ ହେଲା ହସ୍ତଗତ

ଅକସ୍ମାତ ରତ୍ନନିଧି, ନ ରୋପୁଣୁ ବୀଜ,

 

ହେଲା ପକ୍ୱଫଳ ଲାଭ, ସରସ ମଧୁର,

କି ଲୀଳା ଏ ନିୟତିର, ଅଦ୍ଭୁତ, ଆଶ୍ରୁତ,

ଜାଣିଲି, ସଦିଚ୍ଛା ନୁହେଁ ବ୍ୟର୍ଥ କଦଚନ ।

ଭାତା ମୋର ଅନ୍ତର୍ଯ୍ୟାମୀ ଜାଣି ମୋ ଅନ୍ତର

 

ବିହିଲେ ସୌଭାଗ୍ୟେ ଏହି ମଙ୍ଗଳ ବିଧାନ,

ଏତେ ଦୟା, ଦୟାମୟ ! ଦୀନା ଭଗ୍ନୀ ପ୍ରତି,

ମଙ୍ଗଳମୟ ହେ, ତୁମ୍ଭ ମଙ୍ଗଳ ଆକାଙ୍କ୍ଷା

ପୂର୍ଣ୍ଣ ହେଉ ମଙ୍ଗଳରେ, ଗାଇ ତବ ନାମ

 

ତୁଣ୍ତେ ସଦା, ପ୍ରଚାରି ସେ ପୂଣ୍ୟ ନାମ ଭବେ,

ହେଉ ଏ ଜୀବନ ସାର୍ଥ, ଏତିକି ମାଗୁଣି,
କର ଆଶୀର୍ବାଦ ଯେହ୍ନେ ପୁରୁ ମନୋରଥ ।’’

ଭାବି ଏହିପରି ଭଦ୍ରା, ଆନନ୍ଦ- ଅଧୀରେ,

 

ଧରି କରେ ପୁସ୍ପପୂର୍ଣ୍ଣ ସୁବର୍ଣ୍ଣଚାଙ୍ଗୁଡି

ନାରାୟଣ ପୂଜା ଅର୍ଥେ ଉଠିଗଲା ତହୁ ।

 

ସୁଭଦ୍ରା ଦର୍ଶନ ବେଳୁ ଏଣେ ପାର୍ଥ ଚିତ୍ତ

ଉଠିଲା ଚଞ୍ଚଳ ହୋଇ ପ୍ରଣୟ- ହିଲ୍ଲୋଳେ,

ଭାଳିଲା ଏସନ ବୀର, ‘‘ଏ କି ମହିମିତା-

ନାରୀ, ଅବା ଦେବୀମୂର୍ତ୍ତି କିମ୍ବା ତତୋଽଧିକ ।

 

କି ଲାବଣ୍ୟ ସୁଭଦ୍ରାର, ତେଜେ ଢଳଢ ଳ,

ସେ ଶୋଭା-ଗଙ୍ଗାରେ ବାଳା କରାଇଣ ଗଲା

ସ୍ନାନ ମୋ ମାନସ, ଫୁଟାଇ ସେ ପୁଣି

ଆଶାର - କାସାରେ ମୋର ଶତ ଶତଦଳ ।

 

କେତେ ଶକ୍ତି ବାଜିକାର, କି ନିଷ୍କାମ ଭକ୍ତି,

କି ମହିମା କି ଯୋଗ୍ୟତା, କି ଦିବ୍ୟ ସୁଷମା,

କୋଟି ଗୁଣେ ବଳେ ତହୁଁ ଅନ୍ତର ସୁଷମା,

ଯେହ୍ନେ ସ୍ୱପ୍ନ, ସୁଷମାର ବରଣେ ଆବୃତ ।


ସଂଯମେ ବୈରାଗ୍ୟେ, ତ୍ୟାଗେ ଏରୁପ ଅବଳା

ଅନେକ ମଧ୍ୟରେ ଏକ ଦୁର୍ଲଭ ଏକାନ୍ତ,

ବହେ ହୃଦେ ବିଶ୍ୱପ୍ରେମ- ପବିତ୍ରପ୍ରବାହ,

ରୁପ, ଗୁଣ ଏକାଧାରେ ଅଭାବ ସଂସାରେ,

 

କିନ୍ତୁ ବାଳା ଏ ଉକ୍ତିର ପ୍ରତୀପ ଦୃଷ୍ଟାନ୍ତ ।

ଏଭଳି ସମ୍ପୂର୍ଣ୍ଣ ନାରୀ ଯୋଗ୍ୟ ଏକା ସିନା

ସଧର୍ମିଣୀ ଅଭିଖ୍ୟIର, ପୁରୁଷକୁଳର

ଧର୍ମସଂସାଧନେ ନାରୀ ଉତ୍ତରସାଧିକା,

 

କରେ ସମୃଜ୍ଜୃତ ସିନା ଦ୍ୟୁଲୋକ ଭୁଲୋକ

ଚନ୍ଦ୍ର, ଚନ୍ଦ୍ରପାଟରାଣୀ- ଚନ୍ଦ୍ରିକା ସହାୟେ,

କୋଟି କୋଟି ତାରା ଖାଲି ଆକାଶର ଶୋଭା

ବାଷ୍ପୀଭୁତ ଜଳକଣା ଘେନି ସମୀରଣ

 

ସୃଜେ ନଭେ ମେଘ, କରେ ସୃଷ୍ଟି ପାଳନ ସେ

ସୁଭଦ୍ରା ରମଣୀରତ୍ନ, ଚରିତ୍ରର ଦେବୀ,

ଏ ରତ୍ନ ନିକଟେ ତୁଚ୍ଛ- ତୁଚ୍ଛା ଦପିତୁଚ୍ଛ

କୋଟି ସୌର ଜଗତର ଅଧିକାରଲାଭ,

 

ମଣ୍ତିବ ଯେ ଗୃହ ଭଦ୍ରା,ବଳିବ ସେ ସ୍ୱର୍ଗ ।

ନିରେଖିଲା ବେଳୁ ତାକୁ ହୃଦୟ ମୋହର

ହେଉଛି ଅଜ୍ଞାତ ଭାବେ ବ୍ୟାକୁଳ, ଅଥୟ,

କି ମୁଗ୍‌ଧ ମାଦକତା ସେ ଦେଇଗଲା ପ୍ରାଣେ,

 

କି ଏକ ଅଶାନ୍ତ ତୁଷ୍ଣା ଅର୍ପିଲା ଆତ୍ମାରେ,

ସେ ତୁଷ୍ଣାର ସେହି ଏକା ଉପଯୁକ୍ତ ବାରି,

ନ ମେଣ୍ଟିବ ତାହା ଆନ ତୁଷାରକଣାରେ,

ଔଷଧ କେବଳ ସେ ମୋ ପୀଡ଼ିତ ଚିତ୍ତର ।

 

ଏହିପରି ଚିନ୍ତାମଗ୍ନ ନିର୍ଜନେ ଅର୍ଜୁନ,

ମିଳିଲେ ଏକାଳେ ଆସି ସେଠାବେ ଶ୍ରୀକୃଷ୍ଣ ।
ନମିଲେ ଉଠିଣ ତହୁଁ ପାର୍ଥ ଶଶବ୍ୟସ୍ତେ

କୃଷ୍ଣପଦେ, ବାସୁଦେବ ଉଠାଇ ତାହାଙ୍କୁ

 

ଆଲିଙ୍ଗିଲେ ସମାଦରେ, ବେନି କୃଷ୍ଣ ମିଳି

ହେଲେ ଏକମୂର୍ତ୍ତି, ଆହା, ଅପରୁପ ରୁପ,

ମିଶିଗଲେ ପ୍ରେମଭୋଳେ ଭକ୍ତ, ଭଗବାନ,

ମିଶିଲା ଅରୁପ ରୂପେ କିଅବା ସ୍ୱରୂପ,

 

ଅଥବା ତନ୍ମୟ ମିଶି ସିନ୍ଧୁ ବ୍ରହ୍ମପୁତ୍ର ।

ଅନନ୍ତର ବେନି ସଖା ବସିଲେ ଆସନେ,

ଭାଷିଲେ ଶ୍ରୀହରି, ଚିରହାସ୍ୟୋଜ୍ୱଳ ମୁଖେ -

‘‘ଆସିଲି ମୁଁ ଏବେ ସଖେ ! ସତ୍ୟଭାମାଙ୍କର

 

ଦୌତ୍ୟ କାର୍ଯ୍ୟେ, ଦେବୀଙ୍କର ଇଚ୍ଛା, ତୁମ୍ଭ କରେ

ସମର୍ପିବେ ସୁଭଦ୍ରାକୁ ଧର୍ମପତ୍ନୀରୁପେ,

ଉଦ୍ଧାରି ତାହାଙ୍କୁ ତୁମ୍ଭେ ଗୋଶୃଙ୍ଗକବଳୁ

ସାଧିରୁ ଯେ ଉପକାର, ତାହାର ହି ଏହା

 

ଉପଯୁକ୍ତ ପୁରସ୍କାର, ’’ ନୀରବିଲେ କୃଷ୍ଣ ।

ଉତ୍ତରିଲେ ପାର୍ଥ, ‘‘ସଖେ ! ତୁମ୍ଭେ ମୋର ପ୍ରଭୁ,

ପ୍ରଭୁପତ୍ନୀ ଦେବୀ, ନିତ୍ୟ ଆରାଧ୍ୟା, ନମସ୍ୟା,

ଅତୁଳ ତାଙ୍କର ଦୟା ଏ ସେବକ ପ୍ରତି,


ତାଙ୍କ ଦତ୍ତ କୈବଲ୍ୟଟି ଗ୍ରହିବି ମସ୍ତକେ,

କେ ଲଙ୍ଘିବ ଆଜ୍ଞା ତାଙ୍କ ବିଶ୍ୱ ଚରାଚରେ,

କିନ୍ତୁ ସଖେ, ଯଥାର୍ଥ ମୁଁ କହୁଛି ନିକର,

ସୁଭଦ୍ରାର ଯୋଗ୍ୟବର ନୁହେଁ ଏ ଅଧମ ।’’

 

‘‘ଯୋଗ୍ୟବର ସୁଭଦ୍ରାର ତୁମ୍ଭେ ପ୍ରିୟବର ’’

ଭାଷିଲେ ଶ୍ରୀକୃଷ୍ଣ, ତୁମ୍ଭେ ଆଦର୍ଶ ମାନବ,

ଆଦର୍ଶ ମାନବୀ ଭଦ୍ରା, ଉଭୟ ମିଳନ

ସ୍ୱର୍ଣ୍ଣେ ମଣିଯୋଗ ପ୍ରାୟ, ରାଜଯୋଟକ ସେ,

 

ସେ ମିଳନ ପୂଣ୍ୟ ସହ ପ୍ରେମର ମିଳନ ।

ଅର୍ଥମେ ହେ, ରୂପମୋହେ ହୁଏ ଯେ ବିବାହ,

ବିରୋଧ ମିଳନ ତାହା, ଶଶୀ ରାହୁ ଯୋଗ,

ପବିତ୍ର ଉଦ୍‌ବାହ ନୀତି, ନୁହେଁ ତା ଉଦ୍ଦେଶ୍ୟ

 

ଭୋଗ କ୍ରୀଡ଼ା ବିଳାସାଦି ବ୍ୟସନ ସାଧନ,

ଧର୍ମପାଇଁ ପ୍ରୟୋଜନ ସଧର୍ମିଣୀ ଭବେ ।
ପତିର ଦ୍ୱିତୀୟ ଶକ୍ତି ନାରୀ ଏ ସଂସାରେ,

ପତି ଅର୍ଦ୍ଧ, ପତ୍ନୀ ଅର୍ଦ୍ଧ, ଦୁହେଁ ମିଶି ଏକ,

 

ସାଧନେ ସଂସାର ଧର୍ମ ଲୋଡ଼ା ବେନି ଶକ୍ତି ।

ଜୀବନ ମରଣ ମଧ୍ୟେ ସିନା, ପ୍ରିୟବର,

ସୁକ୍ର ସୂକ୍ଷ୍ମ ବ୍ୟବଧାନ, ଜୀବନ ସ୍ଫୁଲିଙ୍ଗ

ଏହି ଅଛି, ଏହି ନାହିଁ, କି ଭରସା ତାକୁ,

 

ଅଛି ତାର ଚିର ଗତି, ମାତ୍ର ନାହିଁ ସ୍ଥିତି

କ୍ଷଣସ୍ଥାୟୀ ଦେହ, ସେହି କ୍ଷଣକ ମଧ୍ୟରେ

ହେବ ସାଧିବାକୁ ଭବେ ମହତ ଉଦ୍ଦେଶ୍ୟ,

ଧର୍ମର ଉନ୍ନତି ପାଇଁ ପ୍ରେରିତ ମାନବ,

 

ମାନବଜନ୍ମର ଲକ୍ଷ୍ୟ ଧର୍ମ ହିଁ କେବଳ ।

ଧର୍ମର ଉନ୍ନତିକଳ୍ପେ ପ୍ରତି ମାନବର

ଅଛି ଅଧିକାର, ମାତ୍ର ଜଟିଳ ତା ପଥ,

ଯୋଗ୍ୟ ସାହା ସେ ପଥରେ ନାରୀ ମାନବର,

 

କିନ୍ତୁ ଯୋଗ୍ୟ ସମ୍ମିଳନ ବାଞ୍ଛିତ ସର୍ବଥା,

ନତୁବା କୋକିଳା ସହ ଯୋଖିଲେ ବାୟସେ,

କିମ୍ବା ବକ ସଙ୍ଗେ ହଂସୀ ଫଳେ ବିପରୀତ ।

ମିଶେ ନାହିଁ ବେନି ମନ, ଜଳ, ତୈଳ ପ୍ରାୟ,

 

ହୁଏ ସେ ଦମ୍ପତିପତି ପଶୁତ୍ୱ ପାତାଳେ ।

ମନମୂଳେ ଏ ଜଗତ, ନ ମିଶିଲେ ତାହା,

ସ୍ୱଭାବେ ସ୍ୱତନ୍ତ୍ରମୁଖୀ ହେବ ସେ ଦମ୍ପତି,

ଗୃହ ହେବ କାରାଗାର, ସ୍ୱର୍ଗ ହେବ ନର୍କ,

 

ଏ ଦାରୁଣ ଅଧୋଗତି ନିଜର ଯାହାର,

ସେ କାହିଁ ନିରତ ହେବ ପରର ଉଦ୍ଧାରେ ?

ଦେଖ ସଖେ, କି ଅଧର୍ମ ଗ୍ରାସୁଛି ଭାରତେ,

ନାହିଁ ଆର୍ଯ୍ୟ ଉଦାରତା, ବିଶ୍ୱବିବନ୍ଦିତ,

 

ଲଙ୍ଘି କ୍ଷତ୍ରେ କ୍ଷାତ୍ରଧର୍ମ, ମଜ୍ଜ୍ଳି ପାପେ ଆପେ,

ମଜ୍ମାନ୍ତି ଅପରେ ପୁଣି ପ୍ରଦାନି ପ୍ରଶ୍ରୟ ।

କୁଟୁଣୀ ହାତୁଣୀ ଯଥା ନିଜେ ପିନ୍ଧି ବେଢ଼ି,

ସେହି ବେଢ଼ି ବାନ୍ଧେ ନେଇ ଅନ୍ୟର ପାଦରେ ।

 

ଜରାସନ୍ଧ, ଶିଶୁପାଳ- ନୃପକୁଳକାଳୀ,

କି ଭୀଷଣ ଅତ୍ୟାଚାରେ ପ୍ରମତ୍ତ ଉଭୟେ,

ପ୍ରଥମ ପାମର କରି ରାଜବୃନ୍ଦେ ବନ୍ଦୀ,

ମାନସିଛି ଆରମ୍ଭିବ ରାଜମେଧ ଯଜ୍ଞ,

 

ଦ୍ୱିତୀୟ ପାମର ତହିଁ ସହାୟ ତାହାର ।
ଏଣେ ଦେଖ ପ୍ରାତସ୍ତୁତ ଭରଦ୍ୱାଜ ସୁତ

ଦ୍ରୋଣେ, ପରିହରି ଋଷିଧର୍ମ, ପିତୃଧର୍ମ-

ବ୍ରହ୍ମପୁଜା ଆଦି ପୁଣ୍ୟ ସାତ୍ତ୍ୱିକ ବିଧାନେ,

 

ଧନୁ ର୍ବେଦ ବ୍ୟବସାୟେ ନିରତ ସପୁତ୍ର,

କି ଲଜ୍ଜା ଏ ସବ୍ୟସାଚି ! କି ବିଷମ କ୍ଷୋଭ,

ମରିବ ଲଜ୍ଜାରେ ଲଜ୍ଜା, ଶୁଣିଲେ ଏ କଥା,

ଝାସି ଅଗ୍ନିକୁଣ୍ତେ, କିସ ଅସମ୍ଭବ ସଖେ,

 

ଧର୍ମର ବିପ୍ଳବ କାଳେ, ପୁଣି ଭୀଷ୍ମଦେବ,

ଅମର ପ୍ରତିଜ୍ଞା ଯାଙ୍କ କୁଳିଶୁ କଠିନ,

ଅଦ୍ୱିତୀୟ ଧର୍ମବୀର, ଚିର ଧର୍ମପ୍ରାଣ,

ଗ୍ରହିଲେ ସେ ଦୁରାଚାରୀ ଦୁର୍ଯ୍ୟୋଧନପକ୍ଷ,

 

ସେ ବେନିଙ୍କ ସାହସରେ ଦପୀ କୁରୁଗ୍ଳାନି

ମଣୁଛି ଧରାକୁ ସରା, ସିନ୍ଧୁକୁହିଁ ବିନ୍ଦ୍ର । ’’

ଉତ୍ତରିଲେ ଧନଞ୍ଜୟ ସଙ୍କୋଚେ ଅନୁତେ-

‘‘କି ଚାରା ତାଙ୍କର ଦେବ, ପାଳିତ ଉଭୟେ

 

ଦୁର୍ଯ୍ୟୋଧନ ଅନ୍ନେ, ଅତଃ ସହାୟ ତାହାର ।’’

ଶୁଣି ଅର୍ଜୁନର ଏହି ଗୁରୁଭକ୍ତି ବାଣୀ,

ଆଶ୍ଚର୍ଯ୍ୟମିଶ୍ରିତ ସ୍ୱରେ ଭାଷିଲେ କେଶବ-

‘‘ପେଟପାଇଁ ଦେବ କି ହେ ପାପରେ ପ୍ରଶ୍ରୟ !

 

ହାୟ, ଛାର ପେଟପାଇଁ ଏଡ଼େ କ୍ଳୀବବୃତ୍ତି !

ଜଳାଞ୍ଜଳି ବିଧିଦତ୍ତ ମନୁଷ୍ୟତା ପଦେ,

ଯେଉଁ ଭୀଷ୍ମ ପିତୃଦୁଃଖେ ଦୟାର ଦଧୀଚି

ସୁନ୍ଦର କି ତାଙ୍କ ପକ୍ଷେ ଏ ଘୃଣ୍ୟ ହୀନତା !

 

ରହିଛି ବିସ୍ତୃତ ଅଗ୍ରେ ବିଶାଳ ପ୍ରକୃତି,

ସୁବିଶାଳ କର୍ମକ୍ଷେତ୍ର ମାନବ ମାତ୍ରର,

ରହିଛି ବିକ୍ଷିପ୍ତ ତାହା ଅନନ୍ତ ବକ୍ଷରେ

ଅନନ୍ତ ମାଣିକ୍ୟ ମୁକ୍ତା ସ୍ୱର୍ଣ୍ଣହୀରକାଦି,

 

(ନାହିଁ ଯାହା କୁରୁନାହା- କୁବେର ଭଣ୍ତାରେ)

ନ ସଂଗ୍ରହି ତାହା ଛାର ଦଗ୍‌ଧୋଦରବଶେ

ବିସର୍ଜିବା ଉଚିତ କି ନୈତିକ ସାହସ ?

ଏଣେ ଆର୍ଯ୍ୟ ଅନାର୍ଯ୍ୟର ଭୀଷଣ ବୈରତା,

 

କରି ପ୍ରଧୁମିତ ସେହି ଅନଳେ ଦୁର୍ବାସା,

ହୋଇଅଛି ଅନାର୍ଯ୍ୟର ଆରାଧ୍ୟ ଦେବତା ।

 

ଅହୋ ! କେଡ଼େ ତୀବ୍ର କ୍ରୋଧୀ, ଖଳ ସ୍ୱାର୍ଥପର,

ମୂର୍ତ୍ତି ଯଥା, ରୂପବନ୍ତ ଉଗ୍ର ଅଭିଶାପ,

ଅନଳ ଦୃଷ୍ଟିରେ ତାର ହେବେ ଭସ୍ମୀଭୁତ

ସ୍ୱୟଂ ହୁତାଶନ ଦେବ ବିଶ୍ୱଭସ୍ମକାରୀ,

 

ଜଳିଯିବ ବିଷାକର ବିଷନିଃଶ୍ୱାସରେ ।

ଧର୍ମରାଜ୍ୟ ଛାରଖାର ଘୃଣା-ଈର୍ଷାନଜେ,

ମଣନ୍ତି ଅନାର୍ଯ୍ୟେ ଆର୍ଯ୍ୟ ପଶୁଠାରୁ ହୀନ,

ରଖିଛନ୍ତି କରି ଧର୍ମସାଧନୁ ବଞ୍ଚିତ,

 

ଅପବିତ୍ର ଅନାର୍ଯ୍ୟଙ୍କ ସ୍ପୃଷ୍ଟ ଦୃଷ୍ଟ ଦ୍ରବ୍ୟ,

ଅସ୍ଫୃଶ୍ୟ ଅନାର୍ଯ୍ୟେ, ଥାଉ ଆନ କଥା ସଖେ,

ମାଡ଼ିଲେ ଅନାର୍ଯ୍ୟଛାୟା ଗାଧୋଇବେ ଆର୍ଯ୍ୟ !

ମାନବସମାଜ ମଧ୍ୟେ ଏହି ଭେଦନୀତି

ଉପାଡି ସମୂଳେ, ହେବ ରୋପିବାକୁ ତହିଁ

ସମୁଦାର ସାମ୍ୟନୀତି, ଏହି ନବଧର୍ମ

 

ପ୍ରଚାରିବ ତୁମ୍ଭେ ସଖେ, ସ୍ଥାପିବ ଭାରତେ

ନବ ଧର୍ମରାଜ୍ୟ, ତୁମ୍ଭେ ଭାଜନ ତହିଁକି,

ସୁଭଦା ସେ କାର୍ଯ୍ୟେ ତବ ଉଦ୍ଦୀପନା ଶକ୍ତି ।

ନୀରବନ୍ତେ ବାସୁଦେବ, ଭାଷିଲେ କିରିଟୀ-

 

କେଉଁ କାର୍ଯ୍ୟ ଇଚ୍ଛାମୟ ! ଅସାଧ୍ୟ ତୁମ୍ଭର ?

ଇଚ୍ଛା କଲେ ମୁହୁର୍ତ୍ତକେ ଦମିପାର ପ୍ରଭୋ,

ଧର୍ମର ବିପ୍ଳବ, ପୁଣି ଇଚ୍ଛାମାତ୍ରେ ତବ

ହୋଇପାରେ ସଂସ୍ଥାପିତ କୋଟି ଧର୍ମରାଜ୍ୟ,

 

ସତ୍ୟରାଜ୍ୟ, ଶାନ୍ତିରାଜ୍ୟ, ସର୍ବକର୍ତ୍ତା ତୁମ୍ଭେ,

କରି ଉପଲକ୍ଷେ ମୋତେ ପ୍ରଦାନିବ ଯଶ,

ମୁଁ ପରା ତୁମ୍ଭର, ହରି ? ଯାହା କିଛି ମୋର,

ତାହା ତ ତୁମ୍ଭର, ତେବେ ତବଦତ୍ତ ଯଶ

 

ନୁହେଁ କି ତୁମ୍ଭର, ତାହା ପ୍ରାପ୍ତ ହେବ ତୁମ୍ଭେ,

ନିଜକୁ ନିଜର ଦାନ ସୁନ୍ଦର ରହସ୍ୟ !

ନ ସରୁଣୁ ପାର୍ଥ କଥା କହିଲେ କଂସାରି-

ବଡ଼ ଦୁଃଖ ହୁଏ ମନେ, ସଖେ ! ଦେଖି ଦେଖି

 

ସଂସାର ବେଭାର, ଦେଖ ଏହି ରତ୍ନାକର,

ଅନନ୍ତ ଭୁମାଙ୍କ ଶକ୍ତି, ଅନନ୍ତ, ଅକଳ,

ଇଚ୍ଛିଲେ ବୁଡ଼ାଇ ପାରେ ଲବେ ସେ ସଂସାରେ,

ଇଚ୍ଛିଲେ ଘୋଡ଼ାଇ ପାରେ ମହାରତ୍ନେ ସୃଷ୍ଟି,

 

ପୁଣି ଦେଖ ରୈବତକେ, ପ୍ରକୃତିଭଣ୍ଡାର,

ପାଳିଛି ଅନନ୍ତ କୋଟି ପ୍ରାଣୀଙ୍କୁ ସ୍ୱଦେହେ,

ପ୍ରଦାନୁଛି ମହୌଷଧି ଧ୍ୱନନ୍ତରି ପ୍ରାୟ,

ଥାଉଁ ଥାଉଁ ଏ ପ୍ରତ୍ୟକ୍ଷ ମହାଶକ୍ତି ଅଗ୍ରେ,

 

ନ ପୂଜି ଏହାକୁ ଜନେ, କିପାଁ ବା ଧାବିତ

ଅପ୍ରତ୍ୟକ୍ଷ ଶକ୍ତି ଆଶେ, ଅନିର୍ଦ୍ଦିଷ୍ଟ ପଥେ !

ବିସର୍ଜି ସରଳ ରାହା, ଆସକ୍ତ ଜଟିଳେ ।

ଏହିପରି ନାନା କଥା କହି ଯଦୁନାଥ,

 

ତୋଷି ପାର୍ଥଚିତ୍ତ ଧର୍ମ, ନୀତି ଉପଦେଶେ,

ବାହୁଡିଲେ ଅନ୍ତଃପୁରେ, ଯଥାସମୟରେ ।

ଏକାକୀ ଅର୍ଜୁନ ବସି ନିର୍ଜନ କକ୍ଷରେ

ଭାବୁଛନ୍ତି କେତେ କଥା, ଆଙ୍କୁଛନ୍ତି କେତେ

 

ଭାବୀ ସୌଭାଗ୍ୟର ଚିତ୍ର, କଳ୍ପ-ଚିତ୍ରପଟେ,

ଉଛୁଳୁଛି ହର୍ଷେ ହୃଦ, ମଣିଲେ ସେ ଯେତେ

କେବଣ ଆନନ୍ଦ-ସ୍ୱର୍ଗେ କରିଛି ପ୍ରବେଶ ।

ଭାବିଲେ ଏସନ-ଶୁଭ ସୁପ୍ରଭାତ ଆଜି,

 

କେଡ଼େ ଚାଣ୍ଡେ ଆଶା-ବନେ ଉଠିଲାକ ଫୁଟି

ମନୋମତ ଆଶା-ଫୁଲ, କିବା ଶୁଭଯୋଗେ

ଆସିଥିଲି ମୁକ୍ତିତୀର୍ଥ ଏ ଦ୍ୱାରକାପୁରେ-

ଶୁଭମୟ ଅଦୃଷ୍ଟିର ଅବ୍ୟର୍ଥ ଆହ୍ୱାନେ ।

 

ମୋ ଭାଗ୍ୟେ ସୁଭଦ୍ରାଲାଭ, ଅନ୍ଧଭାଗ୍ୟେ ନେତ୍ର,

ହେବି ତା ସଂସର୍ଗେ ମୁହିଁ ପବିତ୍ର, ଉଜ୍ଜ୍ୱଳ,

ଭଦ୍ରା କୃଷ୍ଣଶିଷ୍ୟା, ନୁହେଁ ସାମାନ୍ୟ ବନିତା,

ଶୁଣି ତା ପବିତ୍ର ମୁଖୁ ସତ୍ୟଧର୍ମ ବ୍ୟାଖ୍ୟା

 

ମୁକ୍ତ ହେବ ବଦ୍ଧ ଆତ୍ମା, ଯୋଗ୍ୟ ସଙ୍ଗିନୀ ସେ ।

ଏହିରୁପେ ଜୀବନର ସୁଖପ୍ରତିବିମ୍ବ

ଦେଖୁଛନ୍ତି ପାର୍ଥ ବସି ଭବିଷ୍ୟ ଦର୍ପଣେ,

ଏ ସମୟେ ଉପସ୍ଥିତ ହୋଇ ଦୌବାରିକ,

 

ନିବେଦିଲା ଯୁକ୍ତକରେ ବିନୟ ବଚନେ-

ବିଜେ କର ବୀରମଣି, ଅଛନ୍ତି ଅଚ୍ୟୁତ

ଅପେକ୍ଷାରେ ତବ, ଆର୍ଯ୍ୟ ବଳରାମ ସହ,

ଗଲେ ତୁମ୍ଭେ ଏକତ୍ରରେ ବଢ଼ିବ ମଣୋହି ।

 

ଶୁଣି ବୀର ଏ ବଚନ, ଉଠିଣ ଆସନୁ,

ବିଜେ କଲେ ଅନ୍ତଃପୁରେ ପ୍ରତିହାରୀ ସହ ।

 

ସପ୍ତମ ସର୍ଗ

ଆସ ହେ ଅତୀତ, ବାରେ ଫେରି ବର୍ତ୍ତମାନେ,

ଫେଡ଼ ଦ୍ୱାର, ବଦ୍ଧ ଯାହା ବିସ୍ମୃତି-ତାଲକେ,

ଦେଖାଅ ଦ୍ୱାରକା ରାଜସଭା, ଥିଲା ଯେହୁ

କେନ୍ଦ୍ରତୀର୍ଥ-ଧର୍ମ, ନ୍ୟାୟ, ଜ୍ଞାନ, ବିଜ୍ଞାନର

 

ବିଶ୍ୱର ଆଦର୍ଶ ଏହି ପ୍ରାଚୀନ ଭାରତେ ।

ଉଦ୍ଭବି ଯା ପୁଣ୍ୟଗର୍ଭୁ ନବ ରାଜନୀତି-

ଉଦାର ସମାଜନୀତି, ଧର୍ମନୀତିସାର,

ବଢ଼ାଇଲା କୋଟିଗଣେ ଆର୍ଯ୍ୟର ଗୌରବ,

 

ସେ ଗୌରବେ ପ୍ରାଣବତୀ, ପୁଣି ଶକ୍ତିମତୀ

ରହିଛି ଅବଧି, ପୂଜ୍ୟା ଭାରତଜନନୀ ।

ବିଶାଳ, ବିସ୍ତୃତ ସଭା ବିଶାଳ ଯେସନ

ମାନବର କର୍ମକ୍ଷେତ୍ର ବିଶ୍ୱଚରାଚରେ

 

କିମ୍ବା ଯଥା ଭୂପହୃଦ, ପୁଣ୍ୟ-ସତ୍ୟ-ପୁତ,

ନିର୍ମିତ ଦ୍ୱିରଦରଦେ ସେ ସୁନ୍ଦରୀ ସଭା,

କି ଛାର ସେ ସଭା କବି ଇନ୍ଦ୍ରର ସୁଧର୍ମା,

(ଅମରାଗୌରବ ଯାହା, ଅମରାବିଭୂତି)

 

ଶୋଭେ ସ୍ୱର୍ଣ୍ଣଚ୍ଛଦି ବହୁ ଉଚ୍ଚ ସ୍ତମ୍ଭଶିରେ,

ପ୍ରତିଷ୍ଠିତ କିବା ସୃଷ୍ଟି ଧର୍ମ ନ୍ୟାୟ ସତ୍ୟ-

ଭିତ୍ତି ଶିରେ, ପ୍ରତି ସ୍ତମ୍ଭେ ହୋଇଛି ଲିଖିତ

ନୀତିଶ୍ଳୋକାବଳୀ ଦୀପ୍ତ ସୁବର୍ଣ୍ଣ ଅକ୍ଷରେ ।

 

ତଳେ ବିଛା ସବଳିତ ମସୃଣ ଗାଲିଚା,

ତହିଁ ପରେ ରକ୍ତ ପୀତ ଶ୍ୱେତ ଚନ୍ଦନର

କାଷ୍ଠାସନ, ତୁଳାଭରା ଗଦିରେ କୋମଳ,

କାହିଁ ସ୍ଥିତ ବେତ୍ରାସନ-ଡମ୍ବରୁ ଆକୃତି,

 

ବିଛା ତହିଁ ଚଉତନା *ଜରୀ-କାରୁ-ଚାରୁ ।

ବହୁଦ୍ୱାରମୁଖୀ ସଭା, ଗବାକ୍ଷନୟନା,

ପ୍ରତି ଦ୍ୱାରେ ଦୌବାରିକ, ରତ ପହରାରେ,

ବିଶାଳ ଉଷ୍ଣୀଷ ଶିରେ, ବଦନେ ଦୃଢ଼ତା,

 

ସାରସନେ କରବାଳ ଲମ୍ବିତ କଟିରେ,

ହସ୍ତେ ଶର, ଶରାସନ, ଆମଞ୍ଚତ, ଗୁଣେ ।

ମଧ୍ୟରେ ମର୍ମରନିର୍ମୀ ମଞ୍ଜୁଳ ମଣ୍ଡପ,

ବିରାଳେ ତା ମଧ୍ୟସ୍ଥଳେ ରତ୍ନସିଂହାସନେ,

 

ଯେସନ କେଶରକୁଣ୍ଡ ପୁଷ୍ପଦଳ ମଧ୍ୟେ,

ଉପବିଷ୍ଟ ବୃଦ୍ଧ ରାଜା ଉଗ୍ରସେନ ତହିଁ,

ପ୍ରଶାନ୍ତ ଗମ୍ଭୀର ମୂର୍ତ୍ତି, ଆବୃତ ସୁତନୁ

ଶୁକ୍ଳ ପରିଚ୍ଛଦେ, ଶିରେ ଶୁକ୍ଳ ଜଟାଜୁଟ,

 

ବନ୍ଧା ଯଥା କାରୁହୀନ ହୀରକକିରୀଟ ।

ଘନ ଲମ୍ବ ଶୁକ୍ଳ ଶ୍ମଶ୍ରୁ ଆବକ୍ଷଲମ୍ବିତ,

ଶିରେ ଟେକା ଶୁକ୍ଳ ଛତ୍ର, ମୁକ୍ତାଝାଲରିତ,

ଉଭା ହୋଇ ବେନି ପାର୍ଶ୍ୱେ ବେନି ପରିକର

 

ଢାଳନ୍ତି ସୁଧୀରେ ଶୁକ୍ଳ ଚାମର ସତତ ।

ରାଜାଙ୍କ ଦ୍ୱିପାଶେ ରାମକୃଷ୍ଣଙ୍କ ଆସନ,

ଉପବିଷ୍ଟ ଉଭେ, ଜଣେ ତୁଷାରଶୀତଳ,

ଆନ ଭୀମ ଉଦ୍ଦୀପନା-ଆଗ୍ନେ୍ୟପର୍ବତ,

 

ଏକ ମୂର୍ତ୍ତି ଶାନ୍ତ ତୁଷ୍ଟ, ଆନ ଦର୍ପଦୃପ୍ତ,

ଆଲୋକିତ ରାଜସଭା ବେନିଙ୍କ ଜ୍ୟୋତିରେ ।

ପାତ୍ର, ମିତ୍ର, ସେନାପତି, ସାନ୍ଧିବିଗ୍ରହିକ,

ପାଞ୍ଜିଆ, ନଗରପାଳ, ଧର୍ମଧୀଶ ଆଦି

 

କର୍ମଚାରୀ ଉପବିଷ୍ଟ ନିଜ ନିଜ ସ୍ଥାନେ,

ବସିଛନ୍ତି ବସୁଦେବ, ଅକ୍ରୁର, ଉଦ୍ଧବ,

ସାତ୍ୟକି ପ୍ରଭୃତି ବହୁ ମାନ୍ୟଗଣ୍ୟ ଜନେ

ରାଜାଙ୍କ ସମ୍ମୁଖାସନେ, ନିର୍ଦ୍ଦିଷ୍ଟ ବିଧାନେ ।

 

ରାଜାସନେ ସ୍ଥିତ ରାଜା, ମାତ୍ର ରାଜକାର୍ଯ୍ୟ

ସମ୍ପରିଚାଳନ-ଭାର ନ୍ୟସ୍ତ କୃଷ୍ଣ ପ୍ରତି,

ଉପବିଷ୍ଟ କୃଷ୍ଣଚନ୍ଦ୍ର ଦୃଢ ବୀରବସୁ

ସୁଗଠିତ, ସୁରୁଚିର, ଉନ୍ନତ ନାସିକା,

 

ଝରିପଡ଼େ ଦିବ୍ୟଜ୍ୟୋତି ଶ୍ରଅଙ୍ଗୁ ତାଙ୍କର,

ଝରେ ଯଥା ଶୁଭାଲୋକ ପ୍ରଭାତଶରୀରୁ ।

କି ମହାକାର୍ଯ୍ୟ ଭାବୀ ମହାଭାବନାରେ

କୁଞ୍ଚିତ ଲଲାଟ, ନେତ୍ର ସ୍ଥିର, ଅଚଞ୍ଚଳ ।

 

ପ୍ରଥମେ ଆରବ୍ଧ ହେଲା ପ୍ରଜାଙ୍କର ଭେଟି,

କୃଷିଜାତ, ଶିଳ୍ପଜାତ ଉତ୍କୃଷ୍ଟ ପଦାର୍ଥ

ଅର୍ପି ଭେଟି ରାଜପଦେ, ଲଭି ଯୋଗ୍ୟୋତ୍ସାହ

ସହ ଯୋଗ୍ୟ ପୁରସ୍କାର, ବାହୁଡିଲେ ପ୍ରଜା ।

 

ଅନନ୍ତର ଉପସ୍ଥିତ ହୋଇ ଯନ୍ତ୍ରୀ ଜଣେ,

ଥୋଇ ପିତ୍ତଳର ଯନ୍ତ୍ର ଶ୍ରୀକୃଷ୍ଣ ଛାମୁରେ,

ପ୍ରଣମି ନୃପତି-ପଦେ, ଭାଷିଲା ଏସନ

ଉଭା ହୋଇ ଯୁକ୍ତକରେ-ଏ ଯନ୍ତ୍ରର ନାମ

 

‘‘କାଳଘୋଷୀ’’, ଆଘାତିଲେ ଅଙ୍ଗୁଳି ଏଥିରେ

କହିଦେବ ଯନ୍ତ୍ର ଦଣ୍ଡ, ଲିତା ବିଲିତାଦି

ମାନବ-ବାଣୀରେ, ହେଉ ପରୀକ୍ଷା ସାକ୍ଷାତେ ।

ସକୌତୁକେ କୃଷ୍ଣ ତହିଁ କରନ୍ତେ ଆଘାତ,

 

ବାହାରିଲା ଶବ୍ଦ- ‘‘ସାତ ଦଣ୍ଡ ପାଞ୍ଚ ଲିତା,’’

କହିଲା କେ ଯେହ୍ନେ ଏହା ଅନ୍ତରାଳେ ରହି

ବୀଣାଜିଣା ମଧୁଗର୍ଭ ସୁକୋମଳ କଣ୍ଠେ ।

ଉଠିଲା ସଭାରୁ ଉଚ୍ଚେ ଧନ୍ୟ ଧନ୍ୟ ସ୍ୱର

 

ବିପୁଳ ସଭାରୁ ଶିଳ୍ପୀ ଉଦ୍ଦେଶ୍ୟରେ,

ଲଭି ସେ ଆଶାତିରିକ୍ତ ଗୁଣପୁରସ୍କାର-

କୁଣ୍ଡଳ, କଟକ, ପଟ୍ଟ, ସୁବର୍ଣ୍ଣପଦକ,

ବାହୁଡିଲା ମହାନନ୍ଦେ ପ୍ରଣମି ସଂସଦେ ।

 

ଅନନ୍ତର ଅନ୍ୟ ଶିଳ୍ପୀ ଆଣି କାଷ୍ଠାଧାର

ଦେଖାଇଲା ସଭାମଧ୍ୟେ, ବିବରି ଏସନ-

ଏ ଅଦ୍ଭୁତ ଛାୟାଯନ୍ତ୍ର ମୋର ଉଦ୍ଭାବିତ,

ଅନ୍ଧକାରମୟ କକ୍ଷେ ରଖିଲେ ଏହାକୁ,

 

ଯେ ପଶିବ ସେ ପ୍ରକୋଷ୍ଠେ, ହେଉ ସେ ପଛକେ

ଯେଡ଼େ ଛଦ୍ମବେଶୀ, ତାର ପ୍ରକୃତ ସ୍ୱରୁପ

ହୋଇଯିବ ଅବିକଳ ଏ ଯନ୍ତ୍ରେ ଅଙ୍କିତ ।

ଆଉ ଏ ଗୁଣ ପୁଣି ଅଛି ଏ ଯନ୍ତ୍ରର,

 

ମୋଡିଲେ ଏହାର ପେଞ୍ଚ ଗାଇବ ସଙ୍ଗୀତ ।

ଏହା କହି ମୋଡ଼ନ୍ତେ ସେ ପେଞ୍ଚ ଅଳ୍ପମାତ୍ର,

ବର୍ଷିଲା ସଙ୍ଗୀତସୁଧା, ଉଡିଲା ମୁର୍ଚ୍ଛନା,

ସତେ ଯେହେ ଅପ୍ସରୀଏ ରହି ତା ମଧ୍ୟରେ

 

କରନ୍ତି ସଙ୍ଗୀତାଳାପ-କର୍ଣ୍ଣରସାୟନ ।

ଦେଖି କୃଷ୍ଣ ହୋଇ ତୁଷ୍ଟ ଦେଲେ ପୁରସ୍କାର

ବହୁ ସ୍ୱର୍ଣ୍ଣମୁଦ୍ରା ସହ ବସନ ଭୁଷଣ,

ଘେନି ତାହା ହୁଷ୍ଟଚିତ୍ତେ ଫେରିଲା ବିନ୍ଧାଣୀ ।

 

ତହିଁପରେ ଆସି ପୂର୍ତ୍ତବିଭାଗୀୟ କାର୍ଯ୍ୟ,

ଦେଖାଇ ପିଙ୍ଗଳବର୍ଣ୍ଣ ମୃର୍ତ୍ତିକାର ଚୂର୍ଣ୍ଣ,

ନିବେଦିଲା ସବିନୟେ, ଦେବ, ଏ ମୂର୍ତ୍ତିକା

ବାହାରିଛି ନବଖାତ କୂପଗର୍ଭୁ ଏକ

 

ପ୍ରତେ ହୁଏ ସଂମିଶ୍ରିତ ସ୍ୱର୍ଣ୍ଣରେଣୁ ଏଥି,

ହୁଏ ଯଦି କିଙ୍କରର ସତ୍ୟ ଅନୁମାନ,

ନିଶ୍ଚେ ତେବେ ଆବିଷ୍କୃତ ସୁବର୍ଣ୍ଣର ଖଣି ।

ଘେନି ସେ ମୃର୍ତ୍ତିକା କୃଷ୍ଣ, ଦେଖି ଅବହିତେ,

 

ଆଦେଶିଲେ ପ୍ରେରଣେ ତା ପରୀକ୍ଷା-ଆଗାରେ ।

ଏ ଅନ୍ତେ ନଗରପାଳ କଲା ଆଣି ପାଠ

ଦୈନିକ ଟିପ୍ପଣୀପତ୍ର ଉଚ୍ଚେ ନଗରର,

ଜ୍ଞାତ କରି ସଭାକୁ ସେ ସ୍ୱାସ୍ଥ୍ୟସୁଖାଦିର

 

ତାବତୀୟ ବିବରଣ, ଘେନିଲା ବିଦାୟ ।

ବନବିଭାଗୀୟ କର୍ତ୍ତା ବିଜ୍ଞାପିଲା ଆସି-

ନାହିଁ ବନେ ଉପଦ୍ରବ ଶ୍ୱାପଦକୁଳର,

ସାଧନ୍ତି ଯୋଗୀଏ ଯୋଗ ନିଃଶଙ୍ଗେ, କୁଶଳେ,

 

ବାଞ୍ଛନ୍ତି କଲ୍ୟାଣ ସଦା ରାମକୃଷ୍ଣଙ୍କର,

ନାହିଁ କଷ୍ଟ ବନଚାରୀ ଅନାର୍ଯ୍ୟ ଜାତିର,

ଫଳଭାରେ ଅବନତ ବନ-ଗିରିଦ୍ରୁମେ,

ସ୍ୱଚ୍ଛ ନୀରେ ଚିରନୀରା ପାର୍ବତୀ-ତଟିନୀ ।

 

ଆସି ଆର୍ଯ୍ୟ ସଂସ୍ରବରେ ଅସଭ୍ୟ ଅନାର୍ଯ୍ୟେ

ହେଉଛନ୍ତି କ୍ରମେ ଆର୍ଯ୍ୟଭାବାନୁ ପ୍ରାଣିତ,

ବିଶେଷେ ସୁଭଦ୍ରାଙ୍କର ପୁଣ୍ୟ ସାମ୍ୟ ଦୀକ୍ଷା

ଆଣିଅଛି ତାହାଙ୍କର ଅନୁର୍ବର ପ୍ରାଣେ

 

ଅଦ୍ଭୁତ ପରିବର୍ତ୍ତନ, ଅଦମ୍ୟ ପ୍ରେରଣା ।

ରାଜନନ୍ଦିନୀଙ୍କ ଧର୍ମ-ଉପଦେଶାବଳୀ

ପତିତପାବନୀ ପୁଣ୍ୟ ଗଙ୍ଗାଧାରା ପ୍ରାୟ

ଧୋଉଅଛି ସେମାନଙ୍କ ଚିତ୍ତ ଆବିଳତା,

 

ମତ୍ତ ସର୍ବେ ହରିନାମେ, ଆବାଳ ସ୍ଥବିର ।

କି ଆନନ୍ଦ ନବସ୍ୱର୍ଗ ସୃଜିଛନ୍ତି ଜେମା,

କି ମହାନ, କି ଉଦାର ନବଧର୍ମରାଜ୍ୟ

କରିଛନ୍ତି ସଂସ୍ଥାପନ ଅଗମ୍ୟ କାନ୍ତାରେ,

 

କି କହିବି ତାହା, ଦେବ, ଦେବଦୁର୍ଲଭ ସେ,

କି ଅନନ୍ତ ସ୍ନେହ, ପ୍ରେମ ଖେଳୁଛି ସେ ରାଜ୍ୟେ,

ପଶିଲେ ସେ ପୁଣ୍ୟରାଜ୍ୟେ ନ ବଳେ ମାନସ

ଫେରିବାକୁ ଆଉ ଦଗ୍ଧ ଦାରୁଣ ସଂସାରେ ।

 

ଏ ଅନ୍ତେ ମଗଧ ରାଜ୍ୟୁ ପ୍ରତ୍ୟାଗତ ଦୂତ

ଉଭା ହେଲା ଆସି ଅଗ୍ରେ ପ୍ରଣମି ଶ୍ରୀକୃଷ୍ଣେ,

ଯୋଗ୍ୟାସନେ ବସିବାକୁ ଅର୍ପି ଅନୁମତି

ପଚାରିଲେ କୃଷ୍ଣ ତାଙ୍କୁ, କହ ଦୂତବର !

 

ମଗଧର ସମାଚାର, କି ଦେଖିଲ ତହିଁ ?

ଉତ୍ତରିଲା ଦୂତ, ଦେବ ! ଅତୀବ ଦୁର୍ଦ୍ଦମ

ଜରାସନ୍ଧ ଗିରିଦୁର୍ଗ, ଚୌପାଶେ ତାହାର

ଅଭ୍ରଭେଦୀ ବଜ୍ରଦୃଢ଼ ମହୀଧରମାଳା

 

ରହିଛି ଆବୃତ ଲୌହପ୍ରାଚୀର ପରାୟେ,

ଅଭେଦ୍ୟ ସେ ବୈରୀବଳେ, ସ୍ୱଭାବେ ଅଜେୟ

ଚାରି ଦିଗେ ଚାରୀ ଘାଟୀ, ପ୍ରଥମ ଗୋଟିକ

ଦୁର୍ଗର ପ୍ରବେଶ-ପଥ, ସତର୍କରକ୍ଷିତ,

 

ଗିରିଗାତ୍ରେ ଲାଗି ଲାଗି ସଜ୍ଜିତ କମାଣ,

କାହିଁ ଭୀମକାନ୍ତ ଅସ୍ତ୍ରୀ, ଭୀଷଣ ପ୍ରହରୀ *

* ଭୀମକାନ୍ତ ଅସ୍ତ୍ରୀ-ଭୟାନକ ଅସ୍ତ୍ରଧାରୀ ।

ଦେଉଛି ପହରା, କାହିଁ ମତ୍ତ ଦନ୍ତାବଳ

 

ଉଭା ଦ୍ୱାରରକ୍ଷିରୁପେ, ଗର୍ବେ ବକ୍ରଗ୍ରୀବ,

କାହିଁ ବା ବିକଟଦନ୍ତ ରକ୍ତାକ୍ଷ ଦ୍ୱର୍ଯ୍ୟକ୍ଷ

ନିରେଖି ଅନଳ-ନେତ୍ରେ ଟହୁଲୁଛି ଦ୍ୱାରେ ।

ଅନ୍ୟ ଘାଟୀତ୍ରୟ ଉଠି ତିର୍ଯ୍ୟକେ ଉପରେ

 

ଯାଇଛି ଆକାଶେ ମିଶି, ଅତି ପିଚ୍ଛିଳ ସେ,

ରଖିଲେ ତା ଶିରେ ଲୋଷ୍ଟ, ଗଡି ଆସି ତାହା

ନ ଛୁଇଁ ପର୍ବତପଦ ହେବ ନାହିଁ ସ୍ଥିର ।

ଭୀଷଣ ଅରଣ୍ୟମୟ ସେ ଗିରିସଙ୍କଟ,

 

କଣ୍ଟକପାଦପ ଛଡା ନାହିଁ ସେ ଅରଣ୍ୟେ

ଆନ ତରୁ, ସେ କଣ୍ଟକ ଲୌହଶୂଳ ପ୍ରାୟ

ଦୃଢ଼, ତୀକ୍ଷଣ, ଭୟେ ତହିଁ ନ ପାରନ୍ତି ପଶି

ପଶୁପକ୍ଷିକୁଳ, ଚିର ତମସ୍ୱିନୀବାସ ।

 

ସ୍ୱଭାବେ ସେ ଘାଟୀତ୍ରୟ ଶତ୍ରୁ ଅନାରୋହ,

ତଥାପି ତା ପ୍ରତି ଅଛି ରାଜଦୃଷ୍ଟି ସଦା,

ମହାବୈଜ୍ଞାନିକ ରାଜା ଜରାସନ୍ଧ ବୀର,

କରିଛି ସୁରକ୍ଷା ଘାଟୀ ବିଜ୍ଞାନକୌଶଳେ,

 

ପ୍ରଥମ ଘାଟୀରେ ଭେରୀ, ଦ୍ୱିତୀୟେ ହୁନ୍ଦଭି

ତୃତୀୟେ ସ୍ଥାପିତ ଅଛି ଧାତବ ଗର୍ଦ୍ଦଭ,

କି ଗୁପ୍ତ କୌଶଳେ ତାହା ହୋଇଛି ସଂଯୁକ୍ତ

ସୂକ୍ଷ୍ମ ବୈଦ୍ୟୁତିକ ତାରେ, ଉଠିଲେ ସେ ପଥ

 

କେହି, ଉଠିବ ସେ ଭେରୀ ଭୈରବେ ଗରଜି,

ବାଜିବ ହୁନ୍ଦଭି କର୍ଣ୍ଣଶୂଳ କୋଳାହଳେ,

ଛାଡିବ ଗର୍ଦ୍ଦଭ ରଡି, ଘଡଘଡି ପ୍ରାୟ,

ସୂଚିବ ସେ ତ୍ରିସଙ୍କେତ ଶତ୍ରୂ-ଆଗମନ ।

 

ମିଶି ବିଭାଯାତ୍ରିଦଳେ ପଶିଲି ନବରେ,

କି ବର୍ଣ୍ଣିବି ମଗଧର ଐଶ୍ୱର୍ଯ୍ୟ ମହିମା,

ଅଳକାପୂର ସେ, ମାତ୍ର ନାଗରିକ ଜନେ

ରତ ସଦା ଗ୍ରାମ୍ୟସୁଖେ, ଇତର କୁତ୍ସିତ,

 

ଯଥା ରାଜା, ତଥା ପ୍ରଜା ଅଧର୍ମସର୍ବସ୍ୱ,

ସେ ଦୃଶ୍ୟ ମନ୍ଥିଲା ନେତ୍ର ବ୍ୟଥାରେ ସର୍ବଥା ।

ପରରାଜ୍ୟ ଆକ୍ରମଣ, ପରସ୍ୱ ଲୁଣ୍ଠନ,

ରାଜା ପ୍ରଜା ଉଭୟର ସ୍ୱଭାବଜ ଧର୍ମ,

 

କ୍ଷାତ୍ରଗ୍ଲାନି ଜରାସନ୍ଧ, ନାରକୀ ପିଶାଚ,

ବିସର୍ଜି ନୃପତିଧର୍ମ, ପଶୁଧର୍ମେ ରତ,

କୃପାତେଜି କୃପାଣକୁ କରିଚି ଆଶ୍ରୟ ।

ସଜୀବ ଶୋଷଣନୀତି, ନିର୍ଜୀବ ପୋଷଣ ।

 

କି ପ୍ରଖର ଦୁରାକାଂକ୍ଷା ଦୁର୍ବାର ଜିଗୀଷା,

ମିଶ୍ରିତ ସେ ଦୁଷ୍ଟ ସହ ଦୁଷ୍ଟ ଶିଶୁପାଳ

ଶିଶୁ-ପଶୁପତି, ହୀନ, ମିଶିଛି ଅନଳ

ତେଜସ୍ୱୀ ବାରୁଦେ, ତାର ଦୁଷ୍ଟ ପ୍ରରୋଚନେ

 

ସାର୍ବଭୌମ ପଦଲାଭ ଇଚ୍ଛେ ଜରାସନ୍ଧ ।

ରଖିଛି ସେ ବନ୍ଦୀ କରି ବହୁ ନରବରେ,

ମନାସିଛି ପାପୀ, ତାଙ୍କ ଶିର ଶତଦଳେ

ବିଜୟ-କମଳା ପଦ ପୂଜିବି ସତ୍ୱର,

 

 

କି ଭୀଷଣ ଅତ୍ୟାଚାର, ଭାବି ବୁଝ ପ୍ରଭୋ !

ଏହା ଭାଷି ବାର୍ତ୍ତାହର, ଅର୍ପି କୃଷ୍ଣକରେ

ମଗଧର ବିବରଣ ବର୍ଣ୍ଣନାପତ୍ରିକା

ସୂକ୍ଷ୍ମ ଭୁର୍ଜପତ୍ରାଙ୍କିତ ହୋଇ ପୁରସ୍କୃତ,

 

ଗମିଲା ମେଲାଣି ମାଗି ଶ୍ରୀକୃଷ୍ଣ ଛାମୁରୁ ।

ତହିଁ ପରେ ଆସି ଚେଦିପ୍ରତ୍ୟାବୃତ୍ତ ଦୁତ

ନିବେଦିଲା ସାନୁନୟେ ସଭାକୁ ଅନାଇ-

ଚେଦିପୁରେ ବହୁ ଦିନ ଭ୍ରମି ଭ୍ରମି ମୁହିଁ

 

ଅର୍ଜିଛି ଯେ ଅଭିଜ୍ଞତା ସେ ରାଜ୍ୟ ସମ୍ବନ୍ଧେ,

କହୁଛି ସଂକ୍ଷେପେ ତାହା ଶୁଣନ୍ତୁ ସକଳେ-

କମଳାଙ୍କ ରତ୍ନଦେବୀ ଚେଦି, ମହାମାନୀ

ଶିଶୁପାଳ, ଶାସେ ତାହା ଦୁର୍ଜୟ ପ୍ରତାପେ ।

 

ପରଞ୍ଜୟ ଚେଦିପତି, ଅତୁଳ ବୀର୍ଯ୍ୟାଳୁ,

କ୍ରୋଧିତ ଦୂର୍ଯ୍ୟକ୍ଷଦନ୍ତ ପାରେ ସେ ଉପାଡି

ରିକ୍ତ ହସ୍ତେ, ନୁହେଁ ଖାଲି ବୀର୍ଯ୍ୟେ ବୀର ସେହୁ,

ମହାବଳ, ମହାବୀର-ଆଭିଜାତ୍ୟେ ସୁଦ୍ଧା

 

ମଣେ ସେ କ୍ଷତ୍ରିୟମାନେ କ୍ଷତିରୁ ପୃଥୁଳ ।

ବହୁ ଦୁଷ୍ଟ ରାଜାଙ୍କର ନେତା ଶିଶୁପାଳ

କରନ୍ତି ଆଶ୍ରୟ ଯଥା ଦୂଷିତ ବାସରେ

ବହୁ ବିଷକୀଟ, ପୁଣି ବିଷାକ୍ତ ଶୈବାଳ,

 

ତଥା ଚେଦୀଶ୍ୱରାଶ୍ରିତ ଦୁଷ୍ଟ ନରପାଳେ ।

ସାଜିଛି ସେ ମନ୍ତ୍ରଗୁରୁ ସମଧର୍ମୀ ମଧ୍ୟେ,

ମଦ୍ୟପର ମନ୍ତ୍ରଗୁରୁ ମଦ୍ୟପ ଯେସନ,

ମଣୁଛି ଧରାକୁ ସରା, ସିନ୍ଧୁକୁ ବି ବିନ୍ଦୁ

 

ରହିଛି ମୃତ୍ୟୁକୁ ଭୁଲି ବ୍ୟର୍ଥ ଦର୍ପ ମୋହେ,

ଭୁଲିଛି ଧର୍ମକୁ ତଥା ଐଶ୍ୱର୍ଯ୍ୟ-ଅମତେ ।

ସବୁବେଳେ କୃଷ୍ଣ ନିନ୍ଦା କେତେ ଉପହାସ,

କରେ କେତେ ଅଭିନୟ ବନ୍ଧୁଗଣ ଆଗେ,

 

କେବେ ଧରି ବଂଶୀଟାଏ, ଫୁତ୍କାରି ରନ୍ଧ୍ରରେ

କହେ ମୁଁ ଗୋପାଳଚନ୍ଦ୍ର, ବିଷ୍ଣୁ-ଅବତାର,

କର ମୋତେ ପୂଜା, ଯେବେ ଇଚ୍ଛ ଚତୁବର୍ଗ ।

କେବେ ବା ବିଦଳି ପଦେ କୃତ୍ରିମ ଭୁଜଙ୍ଗେ

 

କରେ ବ୍ୟଙ୍ଗ ଅଭିନୟ କାଳିୟଦଳନ,

ହସି ହସି ଗଡିଯାନ୍ତି ଦୁଷ୍ଟ ମିତ୍ରେ ତାର ।

ବାଧା ଦେଇ ବନମାଳୀ ଭାଷିଲେ ସଭାସ୍ୟେ-

ଥାଉ ଦୁତ, ସେ କଥାରେ କେଉଁ ପ୍ରୟୋଜନ,

 

କି କ୍ଷତି ନିନ୍ଦାରେ ତାର, ପରନିନ୍ଦାବାଦେ

ହୁଏ ଜିହ୍ୱା କଳୁଷିତ, ନ ଜାଣେ ଯେ ଏହା,

ସେ ପରମ ଅଜ୍ଞ-କ୍ଷମା-କରୁଣା-ଭାଜନ ।

ସର୍ପମୁଖୁ କି ସମ୍ଭବ ଚୁଳାଚୁଳ ଭିନ୍ନ୍ ?

 

ନିନ୍ଦେ ଯେହୁ ସେ ନିନ୍ଦୁକ, ଏହି ଉପାଧିଟି

ତାହା ଶିରେ କଳଙ୍କର ମୃତିକା ମୁକୁଟ,

ଚିହ୍ନାଏ ସେ ତାକୁ ଲୋକେ, ଅଙ୍ଗୁଳି ନିର୍ଦ୍ଦେଶି ।

ବିଫଳ ପୋଷିବା କ୍ରୋଧ-ନିନ୍ଦୁକ ନିନ୍ଦାରେ,

 

ନିଜର ଅନିଷ୍ଟ ତହିଁ, ମହାଶତ୍ରୁ କ୍ରୋଧ,

ଚୋର ଉପଦ୍ରବୁ, ଦୂତ, ତ୍ରାହିଳାଭ ଆଶେ

ବାନ୍ଧିବ କି ଦ୍ୱାରେ ଆଣି ମହାବଳ ବ୍ୟାଘ୍ରେ,

ଅଥବା ମୂଷିକ ଭୟେ ପୋଷିବ ଭୁଜଙ୍ଗେ,

 

ନିଜେ ନିକି ପଡିବ ତା କବଳେ ଦଂଶନେ ?

ଛାଡ଼ ନିନ୍ଦୁକର ନିନ୍ଦା, ଅଶ୍ରାବ୍ୟ ସେ କଥା,

କର କିଛି ଆୟୋଜନ ଦେଖିଛ କି ତହିଁ ?

ହୋଇ ଅପ୍ରତିଭ ଦୂତ, ଲଜ୍ଜା ନମ୍ର ମୁଖେ

 

କହିଲା-ହଁ, ଆୟୋଜନ ଲାଗିଛି ବିପୁଳ,

ହେଉଛି ଅସଂଖ୍ୟ ରଥ, ଶକଟନିର୍ମିତ,

କର୍ମିଗଣ ଗଢ଼ୁଛନ୍ତି ବାଣ ଦିବାନିଶି,

ଘନ ଘନ ନେବି ନାଥ ଧାବିତ ମଗଧେ,

 

ବହୁଛି ନଗରେ ଏକ ଜୀବନ୍ତ ଚାଞ୍ଚଲ୍ୟ

ଧାରା, ପ୍ରତେ ହୁଏ ଦେବ, ଦେଖି ଆୟୋଜନ,

ପଡିଛି ଲୋଲୁପ ଦୃଷ୍ଟି କେଉଁ ରାଜ୍ୟ ପ୍ରତି ।

ଏହା ଭାଷି ଚାର, ଲଭି ନୃପତିପ୍ରସାଦ,

 

ଗଲା ଚାଲି ଅନ୍ୟ କାର୍ଯ୍ୟେ, ପ୍ରଣତି କେଶବେ ।

ଏହିରୁପେ ରାଜକାର୍ଯ୍ୟ ପ୍ରତ୍ୟେକ ବିଭାଗ

କରି ସୂକ୍ଷ୍ମ ଆଲୋଚନା, ସାଙ୍ଗ କରି କୃଷ୍ଣ

ସେଦିନର କାର୍ଯ୍ୟ, ଉଭା ହୋଇ ସଭାମୁଖେ

 

କହିଲେ ଏସନ, ସପ୍ତ ଯଦୁବଂଶୀ ବୀରେ

ମଣ୍ଡିତ ଏ ରାଜସଭା, ଅଛନ୍ତି ଜନକ,

ଅଛନ୍ତି ପିତୃବ୍ୟ, ବିଜେ ସ୍ୱୟଂ ଉଗ୍ରସେନ-

ଯଦୁକୁଳ-ନରମଣି, ପୂଜ୍ୟ ମାତାମହ,

 

ସକଳ ସମକ୍ଷେ ମୁହିଁ କରୁଛି ପ୍ରସ୍ତାବ-

ବିବାହର ଉପଯୁକ୍ତା ଭଗିନୀ ସୁଭଦ୍ରା,

ଆଶୁ ତାକୁ ଯୋଗ୍ୟ ପାତ୍ରେ ଅର୍ପିବା ବିହିତ ।

ଭାଗ୍ୟକ୍ରମେ ଉପସ୍ଥିତ ଦ୍ୱାରକାରେ ପାର୍ଥ,

 

ଅର୍ଜୁନ ଯୌବନେ ଯୋଗୀ, ଯୌବନେ ଯୋଗିନୀ

ଭଦ୍ରା, ନରାଦର୍ଶ ପାର୍ଥ, ସୁଭଦ୍ରା ଆଦର୍ଶ

ନାରୀ, ଉଭୟର ବ୍ରତ- ନିନ୍ଦା ସ୍ତୁତି ପ୍ରତି

ସମାନ ଉପେକ୍ଷା, ଯେହ୍ନେ ଉଭୟେ ପ୍ରେରିତ

 

ମୃତବତ ଆର୍ଯ୍ୟପ୍ରାଣେ- ଆର୍ଯ୍ୟଧର୍ମପ୍ରାଣେ

ସଞ୍ଜୀବନୀ ନବଶକ୍ତି ସଞ୍ଚାରଣ ଅର୍ଥେ,

ମୋ ବିଚାରେ ବୀରଗୁରୁ ଅର୍ଜୁନ ସର୍ବାଂଶେ

ସୁଭଦ୍ରାର ଉପଯୁକ୍ତ, ମହାତ୍ମା କିରୀଟା

 

ବରତ୍ୱେ, ବିନୟେ, ତ୍ୟାଗେ,

ସୌଜନ୍ୟେ, ସ୍ୱଧର୍ମେ,

ଦୟାଗୁଣେ, କ୍ଷମାଗୁଣେ, ଭକ୍ତିସାଧନାରେ

ଭାରତ ଅତୁଳନୀୟ, କ୍ଷତ୍ରୀୟକୁଳରେ ।

 

ଏହା ଭାଷି ନୀରବନ୍ତେ କୃଷ୍ଣ କୃଷ୍ଣ-ରବି,

କହିଲେ ଅକ୍ରୁର, ବତ୍ସ ! ସୁପ୍ରସ୍ତାବ ତବ

କାହାର ଅଗ୍ରାହ୍ୟ ? ପାର୍ଥ ଯୋଗ୍ୟପାତ୍ର ସତ,

ହେଲେ ସଂସାଧିତ ତବ ମଙ୍ଗଳ ସଙ୍କଳ୍ପ,

 

ହେବ ଦୁଇ ମହାବଂଶେ ସଖ୍ୟତା ସ୍ଥାପନ,

ହେବ ତହିଁ ଦୁଇ ମହାଶକ୍ତିର ସଂଯୋଗ,

ଏ ସୁଯୋଗ ଉପେକ୍ଷିତ ନୁହେଁ ମୋ ବିଚାରେ ।

ଯଥାର୍ଥ ପିତୃବ୍ୟ ଦେବ ଭାଷିଲେ ଶ୍ରୀକୃଷ୍ଣ,

 

ପଞ୍ଚ ପାଣ୍ଡବ ଏ ମଞ୍ଚେ ପଞ୍ଚ ରତ୍ନଦୀପ,

ତାଙ୍କ ତେଜେ ଆଲୋକିତ ହେବ ଏ ଭାରତ,

ପାଣ୍ଡବଙ୍କ ସମୁଜ୍ଜ୍ୱଳ ସୁଯଶ ପ୍ରଭାରେ

ନିଷ୍ପ୍ରଭ ରାଜନ୍ୟବୃନ୍ଦ ଭାରତମଣ୍ଡଳେ,

 

ନିଷ୍ପ୍ରଭ ଯେସନ ଦୀପ ଖର ସୌରକରେ ।

ଅତଃପର ଉଭା ହୋଇ କହିଲେ ସାତ୍ୟକି-

ମହାବୀରେ ଅଦ୍ୱିତୀୟ ତୃତୀୟ ପାଣ୍ଡବ,

ନିଖିଳ ସଦଗୁଣାଧାର, ହେଲେ ସେ ଜାମାତା,

 

ବଢ଼ିବ ଗୌରବ ନିଶ୍ଚେ ଏ ଯଦୁବଂଶର ।

ଶୁଣୁଥିଲେ ବଳଭଦ୍ର ସଭାମଧ୍ୟେ ବସି,

ଉଦାସ ନୟନେ ଚାହିଁ ଅନ୍ୟମନା ପ୍ରାୟ,

କି ନବଚିନ୍ତାରେ ଯେହ୍ନେ ନିମଗ୍ନ ସେ ଏବେ,

 

ସାତ୍ୟକିର ଶେଷ କଥା ଶୁଣି କାମପାଳ

ଚାହିଁଲେ ଆଶଙ୍କାବହ ଦୁର୍ବୋଧ୍ୟ ଦୃଷ୍ଟିରେ,

ଯେହ୍ନେ ତାଙ୍କ ଶରୀରର ପ୍ରତି ରକ୍ତବିନ୍ଦୁ

ଉଠୁଅଛି ସମସ୍ୱରେ କରି ପ୍ରତିବାଦ ।

 

ନ ପାରି ସେ ସହି, ଉଠି କହିଲେ ଗରଜି-

କି କହିଲ, କି କହିଲ, କହ ହେ ସାତ୍ୟକି,

ଆଉ ଥରେ, ତୁମ୍ଭ ଗୁରୁ ପାର୍ଥ ଲାଗି ପରା

ବଢ଼ିବ ଗୌରବ ନିଶ୍ଚେ ଏ ଯଦୁକୁଳର ?

 

କି ଦୁର୍ଭାଗ୍ୟ ହାୟ ଯଦୁ ପବିତ୍ରବଂଶର,

ତୁମ୍ଭ ମୁଖେ ଏ କାକୁତି, ଚୂଡ଼ାନ୍ତ ଦୁର୍ଭାଗ୍ୟ !

ଏଡ଼େ କି ହେ ହୀନ ଯଦୁକୁଳ, ଆନ ସ୍ପର୍ଶେ

ହେବ ଗୌରବିତ ? ଧନ୍ୟ ଗୁରୁଭକ୍ତି ତବ !

 

ଧନଞ୍ଜୟ ବୀରବର, ସ୍ୱୀକାର୍ଯ୍ୟ ସର୍ବଥା,

ମାତ୍ର ସେ ଯେ ଯଦୁବଂଶ-ଗୌରବ-ବର୍ଦ୍ଧକ,

ମଲେ ସୁଦ୍ଧା କେ କରିବ ବିଶ୍ୱାସ ଏ କଥା,

ହେ ପଛେ ପାର୍ଥ ଗୁଣୀ, ମାତ୍ର ନୁହେଁ ରାଜା,

 

ରାଜା ଭିନ୍ନ ଅଧିକାର ନାହିଁ ଅନ୍ୟ କାର

ବିଶ୍ୱସ୍ତୁତ ଯଦୁବଂଶେ ଜାମାତୁ ପଦର ।

ନୁହେଁ ପାର୍ଥ ଯୋଗ୍ୟପାତ୍ର ସ୍ୱସା ସୁଭଦ୍ରାର

ଯୋଗ୍ୟପାତ୍ର ଦୁର୍ଯ୍ୟାଧନ, ରାଜଚକ୍ରବର୍ତ୍ତୀ

 

ଭୁବନବିସ୍ମୃତ-କୀର୍ତ୍ତି, କୁରୁକୁଳମଣି,

ଗଦାଯୁଦ୍ଧେ ଅଦ୍ୱିତୀୟ, ତଥା ଦାନେ, ମାନେ

ଭାରତରାଜନ୍ୟବୃନ୍ଦ ମୁକୁଟମଣିରେ

ସମୁଜ୍ଜ୍ୱଳ ପାଦ ତାର, ବସି ତାର ବାମେ

 

ଭାରତସମ୍ରାଜ୍ଞୀରୁପେ ଶୋଭିବ ସୁଭଦ୍ରା ।

ନ ଦେଉଣୁ ଯଥୋତ୍ତର ସାତ୍ୟକି ଏହାର,

କହିଲେ ଶ୍ରୀକୃଷ୍ଣ, ପାର୍ଥ ନୋହୁ ପଛେ ରାଜା,

ମାତ୍ର ବଡ଼ ରାଜାଠାରୁ, ମଣ୍ଡିତ ସେ ସଦା

 

ଭକ୍ତି, ପ୍ରୀତି, ସତ୍ୟ, ତ୍ୟାଗ, ବୀରତ୍ୱ, ସଞ୍ଜମ,

ବିନୟ, ସୌଜନ୍ୟ, ଦୟା କ୍ଷମା- ମହାରତ୍ନେ,

ଏତେ ଅପାର୍ଥିବ ରତ୍ନ, ଏତେ ରାଜଭୁଷା

ଅଛି କେଉଁ ନୃପତିର-ଅମରଦୁର୍ଲଭ ।

 

କିଏ ଆର୍ଯ୍ୟ, ଉପଯୁକ୍ତ ବର ସୁଭଦ୍ରାର ?

କରେ ନାହିଁ ପ୍ରଣାମ ଯେ ପିତୃମାତୃ-ପଦେ

ଅନ୍ଧ ହୋଇ ଅଭିମାନେ, ସେହି ନରାଧମ-

ସେହି ଦର୍ପୀ ଗଜମୁର୍ଖ, ଯୋଗ୍ୟ କି ଭଦ୍ରାର ?

 

ଭାଇ କି ଯେ ବିଷ ଦେଇ କରୁଥିଲା ହତ୍ୟା,

ସେହି ପାପୀ ପିଶାଚ କି ଉପଯୁକ୍ତ ବର

ଦେବୀ ସୁଭଦ୍ରାର ? ପୁଣି ଦହି ଚତୁଗୃହୁ,

ଇଚ୍ଛି ଥିଲା ନାଶିବାକୁ ପିତୃବ୍ୟପତ୍ନୀକି

 

ପିତୃବ୍ୟପୁତ୍ରଙ୍କ ସହ, ସେହି ଆତତାୟୀ

ତପସ୍ୱିନୀ ସୁଭଦ୍ରାର ନୁହେଁ ଯୋଗ୍ୟ ପତି,

ଶୋଭା ବଢ଼େ ଚନ୍ଦ୍ରକଳା ଚନ୍ଦ୍ରମୌଳି ଶିରେ,

ନୁହେଁ ସ୍ଥାଣୁ ଶିରେ ଦେବ, କି ଅଜ୍ଞାତ ତବ ।

 

ଶଶୀ ଲାଗି ସୃଷ୍ଟ ଶଶିରାଣୀ କୁମୁଦିନୀ,

ନୁହେଁ ଜ୍ୟୋତିଲିଙ୍ଗ ପାଇଁ, କ୍ଷୀଣଜ୍ୟୋତିପୂଚ୍ଛ ।

ତପଃକ୍ଷେତ୍ର, କ୍ରୀଡ଼ାକ୍ଷେତ୍ର-ରଣକ୍ଷେତ୍ର ଯାର,

ଜିଣିଲା ଯେ ଲକ୍ଷ ରାଜା ଲକ୍ଷ୍ୟଭେଦ ପଣେ,

 

କେଉଁ ରାଜା ସରି ତାକୁ ? ରାଜାର ରାଜା ସେ ।

ଭଦ୍ରାର୍ଜୁନ ପରିଣୟ ବିଧାତା ନିର୍ବନ୍ଧ,

ବେନିଙ୍କ ସକାଶେ ସୃଷ୍ଟ ବେନିଏ କେବଳ

ଉତ୍ତରିଲେ ହୁଳପାଣି କମ୍ପିତ ଅଧରେ-

 

କି ଅଦ୍ଭୁତ ରୀତି, କୃଷ୍ଣ, ତୁମ୍ଭର ଏ ଭଲା,

କଲା ଯେହୁ ସଗୌରବେ ଦୁହିତା-ପ୍ରଦାନ

ତବ ପୁତ୍ର ଶାମ୍ବେ, ସେହି ନବୀନ ବାନ୍ଧବ

ଦୁର୍ଯ୍ୟୋଧନ ପ୍ରତି ତିଳେ ନ ହୁଏ ମମତା !

 

ହେଉ ପଛେ ପାର୍ଥ ରାଜା କିମ୍ବା ମହାରାଜା,

କିବା ଲାଭ କିବା କ୍ଷତି ଆମ୍ଭର ତହିଁରେ,

ମାତ୍ର କାହିଁ ଅଛି ଭଲା କହ ପାର୍ଥବନ୍ଧୁ,

ଏକପତ୍ନୀ ପଞ୍ଚପତି, ସୃଷ୍ଟିଛଡା ନୀତି ?

 

ଏରୁପ ଜଘନ୍ୟାଚାରୀ ସହ ବନ୍ଧୁପଣେ

ନଷ୍ଟ ହେବ ମାନ, କୁଳେ ଘୋଟିବ କଳଙ୍କ,

ବିଶେଷେ ମରିବ ଭଦ୍ରା ଦାରୁଣ ଲଜ୍ଜାରେ ।

କହିଲେ ଶ୍ରୀକୃଷ୍ଣ ଆର୍ଯ୍ୟ କେଉଁ ଫଳ ଭଲା

 

ମହତ ନିନ୍ଦାରେ ? ହୁଏ କଳୁଷିତ ତହିଁ

ବକ୍ତାଜିହ୍ୱା, ଶ୍ରୋତାକର୍ଣ୍ଣ, ନିନ୍ଦାବାଦସ୍ଥାନ,

ଯାଉ, ବୃଥା ସେ କଥାରେ କେଉଁ ପ୍ରୟୋଜନ,

ଉପସ୍ଥିତ ପ୍ରସ୍ତାବର ହେଉ ସମାଧାନ ।

 

କ୍ରମଶଃ ପ୍ରସଙ୍ଗ ହେଲା ଜଟିଳ, ପୃଥୁଳ ।

ଦେଖି ଏହା ବସୁଦେବ ଭାଷିଲେ ଏସନ-

ପଣ୍ଡିତ କଳହପ୍ରାୟ ହେଲା ଏ ଘଟଣା;

ସନ୍ଧିସୂତ୍ର ଘେନି ହୁଏ ବିଚାର ପ୍ରଥମେ,

 

କ୍ରମେ ଉଠେ ଯୁକ୍ତି ବେଦବେଦାନ୍ତ ପର୍ଯ୍ୟନ୍ତ,

ତେବେ ସୁଦ୍ଧା ହୁଏ ନାହିଁ ଚୂଡାନ୍ତ ମୀମାଂସା

କେବଳ ବିତଣ୍ଡା, କ୍ରୋଧ ହୁଏ ମାତ୍ର ସାର ।

କାହିଁ ସୁଭଦ୍ରାର ଶୁଭବିବାହ ପ୍ରସଙ୍ଗ,

 

କାହିଁ ମହତର ନିନ୍ଦା, ଶାସ୍ତ୍ରର ବିଚାର,

ବୃଥା କଳହରେ ବତ୍ସ ! କେଉଁ ପ୍ରୟୋଜନ,

ହେଉ ସ୍ୱୟମ୍ବର-ସଭା ଆସୁ ଧନଞ୍ଜୟ,

ଆସୁ ଦୁର୍ଯ୍ୟାଧନ, ପୁଣି ଆସନ୍ତୁ ସତ୍ୱର

 

କ୍ଷତ୍ରିୟରାଜନ୍ୟବୃନ୍ଦ ସମଗ୍ର ଭାରତୁ,

ବାଛି ନେବ ଭଦ୍ରା ତାର ମନୋମତ ପାତ୍ର ।

ଶୁଣି ଏହା ବଳଭଦ୍ର କହିଲେ ତକ୍ଷଣେ-

କ୍ଷମନ୍ତୁ ଧୃଷ୍ଟତା, ଦେବ, ଏ ଆଜ୍ଞାଧୀନର,

 

ଅଛି ମୁହିଁ ସତ୍ୟବଦ୍ଧ, ପିତଃ, ଏ ବିଷୟେ

ପ୍ରିୟ ଶିଷ୍ୟ, କୁରୁଶ୍ରେଷ୍ଠ ଦୁର୍ଯ୍ୟାଧନ ପାଶେ,

କେମନ୍ତେ ଲଙ୍ଘିବି ସତ୍ୟ, ଛେଦିବି କେମନ୍ତେ

ନିଜ କରେ ନିଜ ଶିର, ଯାଇ ଏହିକ୍ଷଣି,

 

ପେଷି ଶୀଘ୍ରଗାମୀ ଦୁତେ ହସ୍ତିନା ନଗରେ,

ଆଣିବି ଆମନ୍ତ୍ରି କଲା ଦୂର୍ଯ୍ୟାଧନ ନୃପେ,

ପ୍ରଦାନି ତା କରେ ଭଦ୍ରା, ଲଭିବି ଆଶ୍ୱାସ ।’’

ଏହା କହି ପ୍ରତିବାକ୍ୟେ ନ କରି ପ୍ରତୀକ୍ଷା,

 

ଉଠିଗଲେ ସଭାମଧ୍ୟୁ ତ୍ୱରିତ ଗମନେ ।

ଦେଖି ସଭାସଦେ, ହେଲେ ବିସ୍ମୟେ ସ୍ତବଧ,

ମାତ୍ର କେହି ନ କହିଲେ ଭଲ ମନ୍ଦ କିଛି,

କେବଳ ଗଣିଲେ ସର୍ବେ ଭବିଷ୍ୟ ଆଶଙ୍କା,

 

ଯଥାକାଳେ ସଭା ଭାଙ୍ଗି ରାଜା ଉଗ୍ରସେନ,

ଉଠିଗଲେ ସଭ୍ୟବୃନ୍ଦେ ପ୍ରଦାନି ମେଲାଣି ।

 

ଅଷ୍ଟମ ସର୍ଗ

ସୁରମ୍ୟ ଜଗତୀମେଢ଼େ ବସି ଜେମାମଣି,

ଗଣ୍ଡେ କର ନିହି, ରତ ମହାଭାଳୁଣିରେ,

ଖେଳେ ଚିନ୍ତାପାଣ୍ଡୁରିମା ବଦନମଣ୍ଡଳେ,

ଶୋଭେ କି ମଳିନ ପଦ୍ମ ମହୁଲପଲ୍ଲବେ ।

 

ନୈରାଶ୍ୟ-ଚକିତ ନେତ୍ରେ ଭାବୁଛି ଏସନ-

‘କଠୋର ସଙ୍କଳ୍ପ-ବଜ୍ର ଜ୍ୟେଷ୍ଠାଗ୍ରଜଙ୍କର,

କଲା ମୋର ଆଶା-ଶୈଳ ଚୂର୍ଣ୍ଣ, ଧୁଳିସାତ,

ଏଡ଼େ ସୁଖେ ଏଡ଼େ ଦୁଃଖ ଆସେ ଏଡ଼େ ବେଗେ,

 

ଆଶା-ଇନ୍ଦ୍ରଧନୁ, ହାୟ ଯାଏ କି ମିଳାଇ

ଏଡ଼େ ଚାଣ୍ଡେ, ବର୍ଷେ ପୁଣି ଆଶା-କାଦମ୍ବିନୀ

ଏଭଳି ଗରଳ, ଗଲା ଛିଡି ଆହା ମୋର

ପ୍ରାଣର ସକଳ ତନ୍ତ୍ରୀ, ଉଡିଗଲା ବେଗେ

 

ଆଶା-ପକ୍ଷୀ ଶୂନ୍ୟ କରି ହୃଦୟ-ପିଞ୍ଜର ।

ନିଭିଗଲା କାଳ ବାତେ ଆକାଂକ୍ଷା-ଆଲୋକ,

ବୁଡିଗଲା ଅନ୍ଧକାରେ ହୃଦୟ-ମନ୍ଦିର ।

ଭାଙ୍ଗିଗଲା ସୁଖଶ୍ଳୋକ ଲେଖା ଆରମ୍ଭରେ

 

ଦୈବାତ ଲେଖନୀଦଣ୍ଡ, କେଡ଼େ ଦୁର୍ବିପାକ !

ଏ କି ଲୀଳା, ହରି ତବ, ମୋ ଅଦୃଷ୍ଟ ଛଡ଼ା

ନାହିଁ କି ତୁମ୍ଭର କିଛି କ୍ରୀଡ଼ାଦ୍ରବ୍ୟ ଭବେ ?

କିପାଁ ମନ ଦେଲ ପ୍ରଭୋ, ମନରେ ଆକାଂକ୍ଷା,

 

କିପାଁ ଦେଲ ଆକଂକ୍ଷାରେ ନୈରାଶ୍ୟ-ପାଉଁଶ ?

ଏ ତ ପ୍ରଭୋ, ନୁହେଁ ମୋର କାମନା ବିବାହ,

ଅବଳାର ଧର୍ମବୃତ୍ତିଚରିତାର୍ଥ ପାଇଁ

ତେଜସ୍ୱୀ, ଧାର୍ମିକ ପତି ଲୋଡ଼ା ଏ ସଂସାରେ,

 

ଧର୍ମ ସଂସାଧନେ ପତି ପରମ ସହାୟ,

ବିସ୍ତାରେ ସୁଗନ୍ଧ ଫୁଲ ସବନ ସାହାଯ୍ୟେ ।

ଯେ ମୋର ମାନସ ସ୍ୱାମୀ, ମାନସଦେବତା,

ବସାଇଛି ଯାହାଙ୍କୁ ମୁଁ ହୃଦ-ସିଂହାସନେ,

 

ଉଠାଇ ସେ ଦେବତାଙ୍କୁ, ତାଙ୍କ ସ୍ଥାନେ ଆଣି

ବସାଇବି କେଉଁ ମୁଖେ ଦୁରନ୍ତ ଚଣ୍ଡାଳେ,

ଅର୍ପି ଜଳାଞ୍ଜଳି ନାରୀଧର୍ମେ, ସତୀ ଧର୍ମେ,

ପୁଣି ସତ୍ୟଧର୍ମେ, ବରଂ ଶତଗୁଣେ ଶ୍ରେୟ

 

ଏ ଘୃଣ୍ୟ କଳଙ୍କୁ ଚିର କୌମାର୍ଯ୍ୟାଲମ୍ବନ,

ଘନ ପ୍ରତି ଚାତକିନୀ ଅନୁରକ୍ତ ସିନା,

ପ୍ରାଣାନ୍ତେ ତୁଷାରେ ଆଶା କରେ ନାହିଁ କେବେ

ଜଣକୁ ହୃଦୟ ଅର୍ପି ଆଣିବି ଫେରାଇ,

 

ଏ ଦତ୍ତାପହାର ପାପ ନ ପାରିବି ସହି,

ନ ଇଚ୍ଛନ୍ତି ପଶୁପକ୍ଷୀ ଇତର ପ୍ରାଣୀଏ

ଏ ମହାପାତକେ ଲିପ୍ତ ହେବାକୁ ଭ୍ରମରେ,

ଶୁଣିଲେ ଅକଳାକୁଳ ମୋର ଏ ଅନୀତି

 

ରୋଧିବେ ଲଜ୍ଜାରେ ବର୍ଣ୍ଣ, ବର୍ଷି ଅଭିଶାପ,

ଏ ପାପ ଅପେକ୍ଷା ବରଂ ମୃତ୍ୟୁ ହିଁ ମଙ୍ଗଳ ।

ବୃଥା ଚିନ୍ତା, ହେ ଅନନ୍ତ ମଙ୍ଗଳବିଧାତା,

ତୁମ୍ଭେ ଏକା ଉଦ୍ଧାରନ୍ତା * ଏ ସଙ୍କଟୁ ହରି,

*ଉଦ୍ଧାରକର୍ତ୍ତା

 

ତୁମ୍ଭର ମଙ୍ଗଳ ଇଚ୍ଛା ହେଉ ପରିପୂର୍ଣ୍ଣ,

ଧୌତ କର ଅମଙ୍ଗଳ କରୁଣା-ସଲିଳେ ।

ଏ ସମୟେ ସତ୍ୟଭାମା ହୋଇ ଉପସ୍ଥିତ

କହିଲେ, ‘‘କି ଚିନ୍ତା ବସି କରୁଛ ସୁଭଦ୍ରା ?’’

 

ଶଶବ୍ୟସ୍ତେ ଭଦ୍ରା ତହୁଁ ହାସ୍ୟଆବରଣେ

ଆବରି ହୃଦୟାବେଗ, ଭାଷିଲା ମଧୁରେ-

‘କାହିଁ ଦେବି ! କିଛି ଚିନ୍ତା ନାହିଁ ତ ମୋହର ।’

ଉତ୍ତରିଲେ କୃଷ୍ଣପ୍ରିୟା- ‘‘ନ କହ ପଛକେ,

 

କହିଲାଣି ଓଷ୍ଠ, ତପ୍ତପ୍ରଶ୍ୱାସ-ପାଣ୍ଡୁର,

ଗୋଟିଏ ପ୍ରଶ୍ୱାସେ ଭଦ୍ରା ହୋଇପଡ଼େ ବ୍ୟକ୍ତ

ପ୍ରାଣର କୋଟିଏ କଥା, କୋଟିଏ ବିଷାଦ ।

ଯେଉଁ ମଧୁମକ୍ଷୀ ଦିଏ ମଧୁ, ସୁଧା ତୁଲ,

 

ସେହି ପୁଣି କରେ ସଖି, ନିର୍ଦ୍ଦୟେ ଦଂଶନ,

ସହ ସହ କ୍ଷଣେ ଜ୍ୱାଳା ପ୍ରେମରାଜ୍ୟେ ପରା

ପ୍ରଥମ ପ୍ରବେଶ ତୋର, ବୁଝ ତା ମହିମା,

ଋତୁରାଜ ପ୍ରତ୍ୟାଶାରେ ସହେ ଶୀତକ୍ଳେଶ

 

ଧରା, ତଥା ସହିଲୁଣି ଯେତେ ବ୍ୟଥା ତୁହି,

ଯୋଗ୍ୟ ପୁରସ୍କାର ତାର ଲଭିବୁ ନିକଟେ ।

ଥାଅ ତୁ ନିଶ୍ଚିନ୍ତ, ଥାଉଁ ସତ୍ୟଭାମା ପ୍ରାଣେ,

କେ ସମର୍ଥ, ବ୍ୟର୍ଥିବ ତୋ ପୁଣ୍ୟ ମନୋରଥ ?’’

 

ଏହା ଭାଷି ମହାସତୀ ସତ୍ରାଜିତସୂତା,

ନ କରି ଅପେକ୍ଷା, ଗଲେ ଅନ୍ୟ ଆଡ଼େ ଚାଲି ।

ବିଜେ କୃଷ୍ଣ ଅନ୍ତଃପୁର ବିଶ୍ରାମ-ଆବାସେ,

ଏକାକୀ ନୀରବ ଧ୍ୟାନେ ରାମଙ୍କ ବେଭାର

 

ଭାବୁଛନ୍ତି ହୃଦଗତେ, ଏହି କାଳେ ଆସି

ଉପସ୍ଥିତ ସତ୍ୟଭାମା-ସତୀଶିରୋଭୂଷା

ପ୍ରବୀରା-ସଙ୍ଗୀନୀ ସହ-କରଙ୍କଧାରିଣୀ ।

କହିଲେ ଶ୍ରୀକୃଷ୍ଣ ଚାହିଁ ପ୍ରେୟସୀବଦନ-

 

‘‘ଶୁଣିଲ କି ସତ୍ୟଭାମା, ବିବାହପ୍ରସଙ୍ଗ,

ସତ୍ୟ ହେଲା ମୋର ପୂର୍ବପୋଷିତ ଆଶଙ୍କା,

ଅର୍ଜୁନେ ସୁଭଦ୍ରାଦାନେ ସମସ୍ତଙ୍କ ମତ,

କେବଳ ଅମତ ତହିଁ ବଳଭଦ୍ରଙ୍କର,

 

ବହୁ ବାଦବିବାଦ ପରେ, ଅବଶେଷେ

ଉଠିଗଲେ ସଭାରୁ ସେ ମହାକ୍ରୋଧେ କାଲି ।’’

ଉତ୍ତରିଲେ ସତ୍ୟଭାମା-‘‘ଜାଣିଛି ମୁଁ ଦେବ,

ବଡ଼ଠାକୁରଙ୍କ କଥା ବଡ଼ ଅଖାଡ଼ୁଆ,

 

ଆବର ଆଡ଼ଶୁଳିଆ, ମାତ୍ର ଥାଏ ନାହିଁ

ସବୁବେଳେ ତାହାଙ୍କର ସେ ଭାବ କଦାପି,

ପ୍ରଚଣ୍ଡ ଅନଳମୂର୍ତ୍ତି ଧରନ୍ତି କ୍ଷଣକେ,

ପର କ୍ଷଣେ ହୋଇଯାନ୍ତି ତୁଷାର-ଶୀତଳ ।

 

କେତେ କ୍ଷଣସ୍ଥାୟୀ ପ୍ରଭୋ, କ୍ରୋଧ ତାହାଙ୍କର,

ସ୍ଥାୟୀ କେତେ କ୍ଷଣ ଭଲା ଚନ୍ଦ୍ର ମଣ୍ଡଳରେ

ଦୁରନ୍ତ ରାହୁର ଛାୟା, କ୍ଷଣକୋପୀ ସେହୁ,

କହିଲେ ବୁଝାଇ ତୁମ୍ଭେ, ମାନିବେ ନିଶ୍ଚୟ ।’’

 

ଭାଷିଲେ ଶ୍ରୀକୃଷ୍ଣ ହସି-ଭ୍ରମ ପ୍ରିୟେ, ତବ,

ସ୍ୱୟଂ ପିତୃଦେବ ଯହିଁ ନିରସ୍ତ-ନୀରବ,

ବୁଝାଇବ ଅନ୍ୟ କିଏ ? ଖାଲି କି ଏତିକି

ସରିଲାଣି ଦୁତପଠା ହସ୍ତିନା ନଗରେ,

 

ପ୍ରିୟଶିଷ୍ୟ ଦୁର୍ଯ୍ୟୋଧନ ଉପସ୍ଥିତ ମାତ୍ରେ

ହେବ ସମାହିତ ଶୁଭ ପରିଣୟକ୍ରିୟା ।’’

ଭାଷିଲେ ମହିଷୀ ତ୍ରସ୍ତ ବିଷର୍ଣ୍ଣ ଭାଷାରେ-

‘‘ସୁଭଦ୍ରାର ଯୋଗ୍ୟ ବର ତେବେ ଦୁର୍ଯ୍ୟେଧନ !

 

ପଦ୍ମର ସୁଗନ୍ଧ ତେବେ ପାଣିବେଙ୍ଗ ପାଇଁ,

ମରିବ ସୁଭଦ୍ରା ନିଶ୍ଚେ । ‘‘ମରିବ ସୁଭଦ୍ରା ’’

ପୁଚ୍ଛିଲେ ବିସ୍ମୟେ କୃଷ୍ଣ- ‘‘ ଦେଖିଛ କି ପ୍ରିୟେ,

ସୁଭଦ୍ରାର ଭାବାନ୍ତର ?’’ ଉତ୍ତରିଲେ ସତୀ-

 

‘‘କଅଣ ଦେଖିବି ହେବ, ନାରୀଜାତି କେଭେ

ନହନ୍ତି ଉଶ୍ୱାସ ଏଡ଼େ, ଏଡ଼େ ହୀନମନା,

ନ କରନ୍ତି ପ୍ରକାଶ ସେ ଅନ୍ତରବେଦନା

ପ୍ରଣାନ୍ତରେ ସୁଦ୍ଧା ଥରେ, କର୍ପୂର ପରାୟେ

 

ଆପଣା ମଧ୍ୟରେ ଆପେ ଯାଆନ୍ତି ମିଳାଇ,

ତଥାପି ନ ପାରେ ଜାଣି ପ୍ରାଣବ୍ୟଥା କେହି ।

କି ଗୁଣେ ନିକୃଷ୍ଟ ପାର୍ଥ, ଶ୍ରେଷ୍ଠ ଦୁର୍ଯ୍ୟୋଧନ,

ସର୍ବଜ୍ଞତା ହୋଇ ବଡ଼ଠାକୁରେ ଆମ୍ଭର

 

କିପାଁ କଲେ ବର୍ତ୍ତମାନେ ସମ୍ବଳ କେବଳ,

ନ ଭାବି ଭବିଷ୍ୟେ, ବୃଥା ମନ୍ଥିଲେ ଅରଣୀ,

ଉଠିବ ଯେ ଅଗ୍ନି ଜଳି ରଣ-ଯଜ୍ଞକୁଣ୍ଡେ,

କେତେ ବୀରରକ୍ତ ହେବ ଆହୁତି ତହିଁରେ,

 

ନ ଭାବିଲେ ଆର୍ଯ୍ୟ ଏହା, ମଣେ ମୁଁ ଆଶ୍ଚର୍ଯ୍ୟ !

ଯା ହେଉ, କହୁଛି ତବ ପାଦ-ପଦ୍ମେ ଚାହିଁ,

ନିଶ୍ଚୟ ସଙ୍କଳ୍ପ ମୋର କରିବି ପୁରଣ,

ବସାଇବି ସୁଭଦ୍ରାକୁ ଧନଞ୍ଜୟ ବାମେ,

 

ଏହା ମୋର ସତ୍ୟ, ସତ୍ୟ-ସତ୍ୟ ସପ୍ତ ବାର ।’’

ପୁଚ୍ଛିଲେ ଶ୍ରୀକୃଷ୍ଣ ହସି ରହସ୍ୟ ବ୍ୟାଜରେ-

‘‘ଆସି ଦୁର୍ଯ୍ୟୋଧନ ଯଦି ଆରମ୍ଭେ ସଂଗ୍ରାମ,

ପାରିବ ତ ପରାଜୟି ତାହାକୁ ପ୍ରେୟସି !’’

 

ନ ଦେଉଣୁ ସତ୍ୟଭାମା ଏ ପ୍ରଶ୍ନେ ଉତ୍ତର,

କହିଲା ପ୍ରବୀରା ସଖୀ, ‘‘ଥାଉଁ ଭୃତ୍ୟା ପ୍ରାଣେ

ଭର୍ତ୍ତ୍ରୀ କିପାଁ ଯିବେ ଯୁଦ୍ଧେ, ଆସୁ ଦୁର୍ଯ୍ୟୋଧନ,

ଆସୁ କର୍ଣ୍ଣ, ଆସୁ ଦୁଃଶା, କରିବି ସମର,

 

ପ୍ରବୀରା ମୋହର ନାମ, କିଏ ସରି ମୋତେ ?

ସେମାନଙ୍କ ଅସ୍ତ୍ର-ବାଣ, ମୋର ଅସ୍ତ୍ର-ବାଣୀ,

ଅସର ଅବ୍ୟର୍ଥ ତୀକ୍ଷ୍ଣ ମୋର ଶରାବଳୀ,

ହୋଇପାରେ ଶରଶୂନ୍ୟ ତାହାଙ୍କ ତୂଣୀର,

 

ମୋ ତୁଣ୍ଡ-ତୂଣୀର ମାତ୍ର ଚିର ଅସ୍ତ୍ରପୁର୍ଣ୍ଣ ।

ନ ଭେଦିବ ଅସ୍ତ୍ର ମୋର ଯଦି ତାଙ୍କ ଦେହେ,

(ନିର୍ଲଜ ଶରୀରେ ଏକା ବ୍ୟର୍ଥ ସେ ବିଶିଖ)

ତେବେ ଅଛି ଆନ ଅସ୍ତ୍ର ଖର୍ଜୁରିକା ନାମେ,

 

ସେ ଯଦି ବିଫଳ ହେବ କର୍ମଦୋଷେ ମୋର,

ଅଛି ତେବେ ବାମପାଦ, ଏକ ପଦାଘାତେ

ଚୁର୍ଣ୍ଣିବି ମସ୍ତକ ଦୁଷ୍ଟ କୁରୁନୃପତିର ।’’

ଶୁଣି ଏ ବଚନଭଙ୍ଗୀ ପ୍ରାଣସଙ୍ଗିନୀର,

 

ଦୁଃଖ ମଧ୍ୟେ ସତ୍ୟଭାମା ପକାଇଲେ ହସି,

ହସିଲେ ଶ୍ରୀକୃଷ୍ଣ, ନିଜେ ହସିଲା ପ୍ରବୀରା;

କହିଲେ ସଙ୍ଗିନୀ ପ୍ରତି ଦେବୀ ସତ୍ୟଭାମା-

‘‘ସତ ସଖି, ପ୍ରବୀରା ତୁ, ସାର୍ଥକ ତୋ ଆଖ୍ୟା,

 

ଯଥା ପାଟରାଣୀ ଆଖ୍ୟା ପାଟରାପତ୍ନୀର

କିମ୍ବା ଯଥା ରାଜ ଆଖ୍ୟା ପ୍ରାସାଦଶିଳ୍ପୀର,

ଅଥବା ପାଣର ଯଥା ଜେନାମଣି ଆଖ୍ୟା *

ରଖ ସଖି, ପରିହାସ, ଚିନ୍ତା ଉପସ୍ଥିତ ।

* ରାଜପୁତ୍ର

 

ଅନନ୍ତର ସତ୍ୟଭାମା କହିଲେ ପ୍ରାଣେଶେ-

‘‘ଶୁଣ ଦେବ ନିବେଦିତ କର୍ତ୍ତବ୍ୟ ମୋହର,

ଆଜି ରାତ୍ରେ ଶୁଭଲଗ୍ନେ ଦେବି ମୁଁ ବିବାହ

ଭଦ୍ରାର୍ଜୁନ ଉଭୟର ଗନ୍ଧର୍ବ ବିଧାନେ,

 

ଘଟେ ଯଦି ବିସମ୍ବାଦ ପଶ୍ଚାତେ ଏ ଲାଗି,

ସମ୍ବାଳିବ ତୁମ୍ଭେ ତାହା, ଏତିକି ମିନତି ।

ତୁମ୍ଭ କରୁଣାରେ କରି ନିର୍ଭର କେବଳ

କରିଛି ମୁଁ ହସ୍ତକ୍ଷେପ ଏ ଦୁରୁହ କାର୍ଯ୍ୟେ,

 

ରଖିବି ଦାସୀର ମାନ, ତୁମ୍ଭେ ପ୍ରାଣନାଥ,

ଧ୍ରୁବ ଏ ବିଶ୍ୱାସ ତାର, ତେଣୁ ସେ ନିଃଶଙ୍କ ।’’

ଏହା କହି ସତ୍ୟଭାମା ଗଲେ ତହୁଁ ଚଳି

ଅନ୍ତଃପୁର ଅଭିମୁଖେ ସଙ୍ଗିନୀ ଗହଣେ ।

 

ଶୁଣିଣ ମୂଷଳୀପଣ ପାର୍ଥ ପରନ୍ତପ,

ଳଭିଲେ ଆଘାତ ହୃଦେ, ମାତ୍ର ବୀରହୃଦ

ହେଲା ନାହିଁ ବିଚଳିତ ତହିଁ, ଉଠେ ସିନା

ସାମାନ୍ୟ ସମୀରାଘାତେ ଥରି ତରୁ; ମାତ୍ର

 

କି ହୁଏ ମେରୁର ଭୀମ ପ୍ରଭଞ୍ଜନ ବେଗେ ?

ହସିଉଠି ବୀରମଣି ଭାଳିଲେ ଏସନ-

ସ୍ୱପ୍ନରେ ହୋଇଛି ରାଜା କିଏ ଅବା କାହିଁ,

କେଡ଼େ ଚିତ୍ତଭ୍ରାନ୍ତି ମୋର, କଳ୍ପୁଥିଲି ବସି

କେତେ କଳ୍ପନାର ଚିତ୍ର ଭାବୀ ଆଶା-ପଟେ,

କଳ୍ପନା ଐଶ୍ୱର୍ଯ୍ୟଶାଳୀ ଦୀନ କବି ପ୍ରାୟ,

 

କାହିଁ ଭଦ୍ରା ସାହାଯ୍ୟରେ କରିବି ସାଧନ

ଧର୍ମର ପୂର୍ଣ୍ଣତା, ପୁଣି ପ୍ରାଣର ପୂର୍ଣ୍ଣତା,

କାହିଁ ଏ ନିରାଶବାର୍ତ୍ତା, ସ୍ମରିଲେ ଏ କଥା,

ବଡ଼ ଅବିଶ୍ୱାସ ଜନ୍ମେ ନିଜ ପ୍ରତି ମୋର,

 

ନିଜ ଆତ୍ମା ହସି କରେ ତୀବ୍ର ପରିହାସ ।

ନ ଭାବିଲି ଚିତ୍ତେ ଏହା-ଦୁର୍ଭାଗ୍ୟର ଇଚ୍ଛା,

ଜାତ ମାତ୍ରେ ଭଜେ ଲୟ-ସାଧୁ କ୍ରୋଧ ପ୍ରାୟ ।

ଉପେକ୍ଷି ନିଷ୍କାମେ କଲି ସକାମେ ସର୍ବସ୍ୱ,

 

କ୍ଷୀର ତେଜି ଆଉଟିଲି ସଯତନେ ନୀରେ;

ମାତ୍ର ସରଲାଭ ଆଶା ହେଲାକି ନିଷ୍ଫଳ ।

ହେଲେ ଉପସ୍ଥିତ କୃଷ୍ଣ ଆସି ଏ ସମୟେ,

ଉଠି ପାର୍ଥ ପ୍ରଣମିଲେ ପୟରେ ତାଙ୍କର,

 

ପ୍ରଣମେ ସାଧନ ଯଥା ସାଫଲ୍ୟ ଚରଣେ,

ଆରାଧ୍ୟପୟରେ ସ୍ପର୍ଶି ଆରାଧକ ଶିର,

ବେନିଏ ବେନିଙ୍କ ଯୋଗେ ମଣିଲେ କୃତାର୍ଥ ।

ଉଠାଇ ଶ୍ରୀକୃଷ୍ଣ ତାଙ୍କୁ, ସତ୍ୱର ଆଗ୍ରହେ,

 

ଆଉଁଷି ବାତ୍ସଲ୍ୟେ ଶିର, ବସାଇ ଆସନେ,

ବସିଣ ଆପଣେ ତାଙ୍କ ଆସନ ଦକ୍ଷିଣେ,

ଭାଷିଲେ ଉତ୍ସୁକେ, ‘‘ସଖେ ! ଶୁଣିଲ କି ପଣ

ଆର୍ଯ୍ୟବଳଭଦ୍ରଙ୍କର, ଯହିଁ ଏକମତ

 

ସର୍ବ ଯଦୁବୀରେ, ତହିଁ ବିମତ ସେ ଏକା,

କିଏ ଦେବ ବାଧା ତାଙ୍କ ନିଷ୍ଠୁର ସଙ୍କଳ୍ପେ,

ରହିଲେ ନୀରବ ସର୍ବେ ଗଣିଣ ଆଶଙ୍କା ।

ପେଷିଛନ୍ତି ଦୂତ ରାମ ହସ୍ତିନା ନଗରେ

 

ଶିଷ୍ୟବର ଦୁର୍ଯ୍ୟୋଧନ କତି, ଆସିଲେ ସେ

ଅର୍ପିବେ ସୁଭଦ୍ରା ତାକୁ, କରିଛନ୍ତି ସ୍ଥିର ।

କିନ୍ତୁ ସଖେ, ଜାଣ ତୁମ୍ଭେ ସତ୍ୟଭାମା ରୀତି,

ବଡ଼ ଅଭିମାନିନୀ ସେ, କେ ସମର୍ଥ ଭବେ

 

ରୋଧିବ ତା ଇଚ୍ଛାପଥ, ଚିରମୁକ୍ତ ତାହା,

ମହାସତୀ ସତ୍ୟଭାମା, ସତୀତ୍ୱ ତେଜରେ

କରିବ ସେ ତାର ସାଧୁ ପ୍ରତିଜ୍ଞା ପୂରଣ

ନିର୍ବିଘ୍ନେ, ନ ହେବ ଏହା ଅନ୍ୟଥା କେବେହେଁ

 

ଇଚ୍ଛା ତାର-ଆଜି ରାତ୍ରେ କରାଇବ ବିଭା

ତୁମ୍ଭଙ୍କୁ ସୁଭଦ୍ରା ସଙ୍ଗେ ଗନ୍ଧର୍ବବିଧାନେ,

କିନ୍ତୁ ସଖେ ! ହେବ ନାହିଁ ଅସମ୍ମତ ତୁମ୍ଭେ,

ଦେବ ନାହିଁ କାର୍ଯ୍ୟ ତାର ବାଧା କଦାଚନ ।’’

 

ନୀରବନ୍ତେ ପୀତାମ୍ବର କହିଲେ ଅର୍ଜ୍ଜୁନ-

‘‘ତବ ଉପଦେଶ, ପ୍ରଭୋ, କଲା ମୋ ହୃଦୟେ

ସୁଗଭୀର ରେଖାଙ୍କିତ, ନ ଭୁଲିବି ତାହା,

ନୀରବ ଭବିଷ୍ୟ ଆଶା-ଦେବାଳୟ ମୋର

 

ମୁଖରିତ ଏବେ କୋଟି ପୂଣ୍ୟଘଣ୍ଟାସ୍ୱନେ,

ତୁମ୍ଭେ ମୋ ପରମଗୁରୁ, ଆରାଧ୍ୟ ଦେବତା,

ତବାଦେଶ ମୋହୋ ପକ୍ଷେ ଅବ୍ୟର୍ଥ ଆଶିଷ,

ଲଘିଂପାରେ ପ୍ରଭୃ ଆଜ୍ଞା କେବେ କି କିଙ୍କର ?

 

ମହାପାପ ତାହା, ନାହିଁ ପ୍ରାୟଶ୍ଚିତ୍ତ ତାର ।

ହେଉ ପଛେ ଅସଦ୍ଭାବ ବଳଭଦ୍ର ସହୁ,

ତଥା ଦୁର୍ଯ୍ୟୋଧନ ସଙ୍ଗେ, ପ୍ରିୟଶିଷ୍ୟ ତାଙ୍କ,

ପାଳିବି ଆଦେଶ ତବ ଅବଶ୍ୟ ଅବଶ୍ୟ,

 

ତୁମ୍ଭର ଅଭୟ ଯୁଗ୍ମ ଚରଣ ପ୍ରସାଦେ

ଗଣେ ନାହିଁ ଏ ସେବକ ଶତ ବଳରାମେ

କିମ୍ବା କୋଟି ଦୁର୍ଯ୍ୟୋଧନେ-କୌରବକଳଙ୍କ ।

ପାଣ୍ଡବେ ଅପ୍ରୀତ ହୁଳୀ, ବିଦିତ ମୁଁ ଏହା,

 

ପଟ୍ଟଶିଷ୍ୟ ଦୁର୍ଯ୍ୟୋଧନ ପ୍ରିୟ ତାହାଙ୍କର,

ଦୁର୍ଯ୍ୟୋଧନ ଦୋଷକୁ ସେ ମଣନ୍ତି ସୁଗୁଣ

ଦୁଃସ୍ନେହ ମହିମା ତାହା, ଦୁରାସକ୍ତି ଫଳ ।

ସ୍ନେହ ଦେଖେ ନାହିଁଦୋଷ, ସ୍ନେହଦେଖେସ୍ନେହ

 

ଅବିଚାର ସ୍ନେହ କତି ହୁଏ ପ୍ରତିଭାତ

ଗୁଣ ତୁଲ୍ୟ ଦୋଷ; ସ୍ନେହ ଗୋଟିଏ ଦୋଷରେ

ଦେଖେ ଦୀପ୍ତ ପ୍ରତିବିମ୍ବ କୋଟିଏ ଗୁଣର ।

ସ୍ନେହ ଅନ୍ଧ, ଅନ୍ଧ ପ୍ରାୟ ନିଜ ମଧ୍ୟେ ସଦା

 

ଦେଖେ ସେ ନିଜକୁ, କେବେ ନ ଦେଖେ ଅପରେ

ଜାଣେ ଦେବ, ମହାସତୀ ସତ୍ୟଭାମା ଦେବୀ,

ବିଶ୍ୱସ୍ତୁତା, ବିଶ୍ୱମାତା, ତାଙ୍କର ଆଦେଶ

ପୂର୍ଣ୍ଣ ପୂଣ୍ୟ ପ୍ରତିଧ୍ୱନି ତୁମ୍ଭ ଆଦେଶର,

 

ଶିରୋଧାର୍ଯ୍ୟ ମୋର ତାହା, ମଙ୍ଗଳ ମନ୍ତ୍ର ସେ ।

ଏହି କାଳେ ସୂପକାର ଜଣାଇଲା ଆସି-

‘‘ଅପରାହ୍ନ ଫଳାହାର ପ୍ରସ୍ତୁତ ମଣିମା !’’

ଶୁଣି କୃଷ୍ଣ ଧନଞ୍ଜୟେ ଘେନି ସହିତରେ,

 

ବିଜେ କଲେ ଯଥାସ୍ଥାନେ, ଉଠି ତହୁଁ ତ୍ୱରା ।

ଆସିଲା ରଜନୀ, କ୍ରମେ ତୁଟିଲା ଗହଳ,

ଜନ୍ମିଲେ ବିଷୟ ପ୍ରତି ଅନିତ୍ୟତା ଜ୍ଞାନ

ବୟୋଧର୍ମେ କିମ୍ବା ଆତ୍ମଜ୍ଞାନେ, ତୁଟିଯାଏ

 

ମନୋରାଜ୍ୟୁ କାମନାର କୋଳାହଳ ଯଥା ।

କ୍ରମଶଃ ଦ୍ୱିତୀୟ ଯାମେ ତ୍ରିଯାମା ସୁନ୍ଦରୀ

କଲେ ପଦାର୍ପଣ, ହେଲା ନଗରୀ ନୀରବ,

ଏ ସମୟେ ସତ୍ୟଭାମା ସୁଭଦ୍ରାକୁ ଘେନି

 

ପ୍ରବଶିଲେ ପାର୍ଥ କକ୍ଷେ । ଫୁଲନାରୀ ଭଦ୍ରା,

ଶୋଭେ କରେ ବନରତ୍ନ-ପୁଷ୍ପର ବଳୟ,

କଣ୍ଠେ ପୁଷ୍ପହାର, ଶିରେ ପୁଷ୍ପର ମୁକୁଟ,

କଟୀରେ ଶେଫାଳୀଖଚୀ-ଚାରୁଚନ୍ଦ୍ରାହାର

 

ପଦେ ପୁଷ୍ପ ବିରଚିତ ପାହୁଡ଼, ପଞ୍ଚମ,

କି ସୁନ୍ଦର, ପୁଷ୍ପଅଙ୍ଗେ ପୁଷ୍ପର ଭୂଷଣ,

ସତେ ଯେହ୍ନେ ମୂର୍ତ୍ତିମତୀ ଫୁଲକୁଳରାଣୀ ।

ଭାଷିଲେ ସସ୍ମିତେ ସତୀ ଚାହିଁ ପାର୍ଥ ପ୍ରତି-

 

‘‘ଏ ସୁବର୍ଣ୍ଣ କମଳଟି ଫୁଟିଥିଲା, ବୀର,

ଯଦୁବଂଶ-ପୂଣ୍ୟସରେ, ଶୂର-ସୂର୍ଯ୍ୟ ତୁମ୍ଭେ,

ତୁମ୍ଭର ଏ ଉପଯୁକ୍ତ, ସମର୍ପିଲି ତେଣୁ ।

ଏ ବରେଣ୍ୟା, ଗୁଣଧନ୍ୟା, ଯଦୁକୁଳ କନ୍ୟା,

 

ଦ୍ୱାରକାର ଶୋଭା-ଲକ୍ଷ୍ମୀ, ରୂପେ ଗୁଣେ ଶୀଦ୍ଧେ

ନାହିଁ ପଟାନ୍ତର ବିଶ୍ୱେ, କି ବିର୍ଣ୍ଣିବି ତାହା,

ପ୍ରତି ପାଖୁଡ଼ାଟି ସୁଦ୍ଧା ସୁନ୍ଦର-ପଦ୍ମର ।

ଆଜି ଏ ଜୀବନାଧିକ ହୃଦୟମଣିଟି

 

ସମର୍ପିଲି ତୁମ୍ଭ କରେ, ଅଛି ବଡ଼ ଆଶା

ରଖିବ ଗୌରବ ତୁମ୍ଭେ ନିଶ୍ଚେ ଏ ରତ୍ନର,

ଖାଲି ଆଶା ନୁହେଁ, ପାର୍ଥ ! ମୋର ଏ ଧାରଣା ।

ପୋଷିଛି ମୁଁ ଅନ୍ତସ୍ତଳେ ଧ୍ରୁବ ସତ୍ୟ ଜ୍ଞାନେ ।

 

କର ନାହିଁ ଦ୍ୱିଧା କିଛି, ଏହା ଭାଷି ଦେବୀ

ଚାହିଁ ଦର୍ପ-ଦପ୍ତନେତ୍ରେ, କହିଲେ ପୁନଶ୍ଚ-

ଜାଣ ତୁମ୍ଭେ ‘‘ବୀରମଣି-ଜାଣେ ଏ ଜଗତ-

ଏ ଅନନ୍ତ ମହାବିଶ୍ୱ ଯାହାଙ୍କ ସର୍ଜନା,

 

ତାଙ୍କର ମହିଷୀ ମୁହଁ, ତାଙ୍କର ପ୍ରସାଦେ

ଅଛି ମୋର ଏ କାର୍ଯ୍ୟରେ ପୂର୍ଣ୍ଣ ଅଧିକାର ।’’

ଏହା କହି ଭଦ୍ରାକର ନିହି ପାର୍ଥ କରେ

କଲେ ଦେବୀ କନ୍ୟାଦାନ, ବଜାଇଲେ ଶଙ୍ଖ

 

ତହୁଁ ପାର୍ଥ ମହାନନ୍ଦେ ପ୍ରତିଦାନ ରୂପେ

ପ୍ରଣମି ଦେବୀଙ୍କ ପଦେ, ଭାଷିଲେ ବିନୟେ-

‘‘କି ଭୟ ତାହାର, ଦେବୀ, ପ୍ରସନ୍ନ ଯା ପ୍ରତି

ଭୟର ଅଭୟଦାତ୍ରୀ ସ୍ୱୟଂ ବିଶ୍ୱେଶ୍ୱରୀ ।

 

ଦୟାରେ ମୁଁ ଚିରକ୍ରୀତ ଶ୍ରୀଚରଣେ ତବ,

କୋଟି ଜନ୍ମେ ତବ ଋଣ ଅଶୋଧ୍ୟ ମୋ ପକ୍ଷେ,

ଆଶାର ବୈକୁଣ୍ଠଧାମ ସୁଭଦ୍ରା ମୋହର,

ଭାଗ୍ୟବତୀ ଭଦ୍ରା, ତାର ପୁଣ୍ୟ ପରଶରେ

 

ଲଭିବି ମୁଁ ଭାଗ୍ୟ-ରାଜ୍ୟେ ସାର୍ବଭୌମପଦ ।

ଅଧମ ମୁଁ, ତବ ଦତ୍ତ ମହାର୍ହ ରତ୍ନର

କେମନ୍ତ ବୁଝିବି ମୂଲ୍ୟ, ତଥାଚ ସେ ରତ୍ନେ

ବହିବି ମସ୍ତକେ, ଦେବୀପ୍ରସାଦଜ୍ଞାନରେ,

 

ସତ୍ୟ ଏ ପ୍ରତିଜ୍ଞା ମୋର ତବ ପଦତୀର୍ଥେ ।’’

‘‘ସତ, ପାର୍ଥ ! ଭାଗ୍ୟବତୀ ସୁଭଦ୍ରା ମୋହର,’’

ଉତ୍ତରିଲେ ସତ୍ୟଭାମା-ଉପେନ୍ଦ୍ର ମୋହିନୀ-

‘‘ଭାରତ-ଗୌରବ-ରବି, ବୀରଚୂଡ଼ାମଣି

 

ବଦ୍ଧ ଯାର ପ୍ରେମ-ଡୋରେ, ତାହାଠାରୁ ବଳି

କିଏ ବା ସୌଭାଗ୍ୟବତୀ ଭବେ ଧନଞ୍ଜୟ ?’’

ଏହା କହି ସୁଭଦ୍ରାକୁ କଲେକ ଇଙ୍ଗିତ

ଅର୍ପିବାକୁ ପୁଷ୍ପମାଳା ସବ୍ୟସାଚୀ ଗଳେ,

 

ପାଳିଲା ଆଦେଶ ଭଦ୍ରା, ଗ୍ରହି ପୁଷ୍ପହାର

କହିଲେ ଅର୍ଜ୍ଜୁନ-ଭଦ୍ରେ ! କିପାଁ ଏତେ ଶ୍ରମ !

ସୁଭଦ୍ରା-ସୁନ୍ଦରୀବରା ଯାବକ୍ଷର ହାର,

ଏହି ଫୁଲହାରେ ତାର କେଉଁ ପ୍ରୟୋଜନ ?

 

କ୍ଷଣସଙ୍ଗିନୀ ଏ ମାଳା, ମଉଳିବ କ୍ଷଣେ,

ମାତ୍ର ପ୍ରିୟେ, ତୁମ୍ଭେ ମୋର ଜୀବନସଙ୍ଗିନୀ,

ଆଜିଠାରୁ ନେତ୍ର ମୁହିଁ, ତୁମ୍ଭେ ତାର ଜ୍ୟୋତି ।’’

ଏହା ଭାଷି ଘେନି ପାର୍ଥ ପ୍ରତି-ପୁଷ୍ପମାଳା

 

ଲମ୍ବାଇଲେ ଭଦ୍ରାକଣ୍ଠେ, ପ୍ରଣମିଲା ଭଦ୍ରା,

କଲା କି ପ୍ରଣାମ ଶୌର୍ଯ୍ୟପଦେ କ୍ଷାତ୍ରଶକ୍ତି,

ବରିଲା କର୍ମକୁ ଚିନ୍ତା, ଚିନ୍ତାକୁ ସେ କର୍ମ ।

ଅନନ୍ତର ସତ୍ୟଭାମା କହିଲେ ଅର୍ଜ୍ଜୁନେ-

 

‘‘ଗନ୍ଧର୍ବବିବାହ ଆଜି ହେଲା ବେନିଙ୍କର,

ହେବ ପୁଣି ଯଥାକାଳେ ପ୍ରକାଶ୍ୟ ବିବାହ,

ପୁରୋଧା ଦକ୍ଷିଣା ମୋର ଦିଅ ବେନି ଜନେ

ଶୁଣ ପାର୍ଥ, ଦକ୍ଷିଣାର ପରିମାଣ ମୋର-

 

ଆସୁଅଛି ଦୁର୍ଯ୍ୟାଧନ ବରନିମନ୍ତ୍ରଣେ

ମହାଦର୍ପଭରେ, ସାଜି କୁରୁପାରାବାର,

ସାଧେ ଯଦି ବାଦ ଦର୍ପୀ ସ୍ୱୀୟ କର୍ମଦୋଷେ

ନ କରି ଉପେକ୍ଷା ତେବେ ଦେବ ଯଥାଶିକ୍ଷା ।

 

କୌରବ-ସାଗର ତୁମ୍ଭେ ମନ୍ଥି ବୀରବର,

ସବଳେ ଉଠାଇ ନେବ ସୁଭଦ୍ରା ଅମୃତ,

ଅପମାନ ହୁଳାହୁଳ ଦୁର୍ଯ୍ୟୋଧନ ଭାଗେ ।

ଆଜହୁଁ ତୃତୀୟ ଦିନେ ସୁଭଦ୍ରା ବିବାହ

 

ହୋଇଅଛି ସ୍ଥିର ତାଙ୍କ ଜ୍ୟେଷ୍ଠଗ୍ରଜ ଦ୍ୱାରା,

ସେଦିନ ପ୍ରଭାତେ ରଥ ଆଣିବ ଦାରୁକ,

ଯିବ ତୁମ୍ଭେ ତହିଁ ବସି ମୃଗୟୁବେଶରେ

ରୈବତକ ପାଦମୂଳେ ଦେବୀଙ୍କ ମନ୍ଦିରେ,

 

ସ୍ନାନ ସାରି ଯିବ ଭଦ୍ରା ଦେବୀପୂଜା ଅର୍ଥେ

ସଙ୍ଗିନୀ ଗହଣେ, ତୁମ୍ଭେ ବୁଝିଣ ସୁଯୋଗ

ଘେନିଯିବ ସୁଭଦ୍ରାକୁ ରଥରେ ବସାଇ ।

କ୍ଷତ୍ରିୟବିଧାନ ତାହା, ଅଛି ପୂର୍ବାପର,

 

ନ ବହିବ ଭୀତ ତୁମ୍ଭେ ଏହା ଭାଷି ଦେବୀ,

ଚାଲିଗଲେ ବେଗେ ତହୁଁ ନ ଚାହିଁ ଉତ୍ତରେ

ବଜାଇ ବିଜୟ ଶଙ୍ଖ-ରାଣୀହଂସପୁରେ ।

ନୀରବ, ନିସ୍ତବ୍‌ଧ ରାତ୍ରି, ନିସ୍ତବ୍‌ଧ ସୁଭଦ୍ରା,

 

ନିସ୍ତବ୍‌ଧ ଫାଲ୍ଗୁନି ବୀର ନିର୍ନିମେଷ ନେତ୍ରେ

ଚକିତା ମୃଗୁଣୀ ପ୍ରାୟ ଚାହିଁଛି ସୁଭଦ୍ରା

ପାର୍ଥମୁଖେ, ଚାହେଁ ଯଥା ଚନ୍ଦ୍ରମଲ୍ଲୀ ଚନ୍ଦ୍ରେ ।

ଆସିଲା ନୟନ ହୋଇ ଅଶ୍ରୁ ଛଳଛଳ,

 

ବର୍ଷିଲା ସେ ମୁକ୍ତାବିନ୍ଦୁ ସୁଭଦ୍ରା ଅଜ୍ଞାତେ,

ଝରେ କି ଶିଶିରକଣା ପଦ୍ମପାଖୁଡ଼ାରୁ,

ଅଥବା କୁଶୀରୁ ଖସେ ତୀର୍ଥବାରିବିନ୍ଦୁ ।

ଉଠି ପାର୍ଥ, ଉତ୍ତରୀୟେ ପୋଛି ଦେଇ ଲୁହ,

 

ସୁଭଦ୍ରାର ହସ୍ତ ଧରି ବସାଇ ପାରୁଶେ

ପୁଚ୍ଛିଲେ ମଧୁରେ ପ୍ରିୟେ ! କିପାଁ ଏତେ ଶୋକ ?

ଭାଷିଲେ ସୁଭଦ୍ରା, ବାଷ୍ପଗଦଗଦ ସ୍ୱରେ-

‘‘ମୋ ପାଇଁ ଘଟିବ ଯେବେ ଏଡ଼େକ ଅନିଷ୍ଟ,

 

କାହିଁକି ସୁଜିଲେ ତେବେ ଅଭାଗୀକି ଧାତା,

ସତ୍ୟ ଯଦି ଘଟେ ଯୁଦ୍ଧ ଦୁର୍ଯ୍ୟୋଧନ ସହ,

ଗ୍ରହିବେ ତା ପକ୍ଷ ତେବେ ଜ୍ୟୋଷ୍ଠାଗ୍ରଜ ମୋର,

ଯୋଗ ଦେବେ ଯଦୁବୀରେ ତାହାଙ୍କ ଆଦେଶେ

 

ହେବ କେତେ ଲୋକକ୍ଷୟ ପତିପିତୃକୁଳେ,

କାନ୍ଦିବେ ବିଧବା କେତେ କର ତାଡ଼ି ଶିରେ,

ଦହି ହେବି ଆଜନ୍ମ ମୁଁ ତାଙ୍କ ଶାପାନଳେ,

ହେବି ଅଭିଷିକ୍ତ ଉଷ୍ଣ ଅଶ୍ରୁରେ ତାଙ୍କର,

 

ଭାବି ଏହା ପାରୁ ନାହିଁ ଧୈର୍ଯ୍ୟ ଧରି ନାଥ ।’’

ଭାଷିଲେ ଅର୍ଜ୍ଜୁନ ହସି-‘‘ଏଥିପାଇଁ ଚିନ୍ତା !

କରୁଛି ପ୍ରତିଜ୍ଞା ମୁହିଁ ଛୁଇଁ ଧନୁର୍ବାଣ

ତବ ସାକ୍ଷାତରେ ପ୍ରିୟେ, ଆସୁ ଦୁର୍ଯ୍ୟୋଧନ,

 

ହେଉ ତା ସହାୟ ପଛେ ସମଗ୍ର ଜଗତ,

ତଥାପି କରିବି ଯୁଦ୍ଧ, ମାତ୍ର ହେବ ନାହିଁ

ଏକ ବିନ୍ଦୁ ବୀରରକ୍ତେ ଧରଣୀ ରଞ୍ଜିତ,

କଲି ସତ୍ୟ, କରିବି ମୁଁ ଅରକ୍ତ ସମର,

 

ଦେଖିବ ପ୍ରତ୍ୟକ୍ଷେ ପ୍ରିୟେ ରହ, ଧୈର୍ଯ୍ୟ ଧରି ।

କାଟି ଅସ୍ତ୍ର, ଶସ୍ତ୍ର, ଧ୍ୱଜ, ତୂଣୀର, ଉଷ୍ଣୀଷ,

ଅବସନ୍ନ କରି ବୀରେ ଛାଡ଼ିଦେବି ଶେଷେ,

ଆଉ କି ଉଦ୍ଦେଶ୍ୟ ତବ ? କହ ପ୍ରାଣପ୍ରିୟେ !’’

 

ମୁଗ୍‌ଧ ହୋଇ ବୀରବାଜା ଏ ବୀରବାଣୀରେ

ଭାବିଲା, ଏ ବୀରୋଚିତ କଠୋର ଶପଥ,

ଧନୁର୍ବାଣ ସ୍ପର୍ଶଠାରୁ ବଳି ଗୁରୁତର

ନାହିଁ ତ ଶପଥ କିଛି ବୀର ପକ୍ଷେ ଆନ ।

 

କହିଲା ସୁଭଦ୍ରା-‘‘ପ୍ରଭୋ ! କି ଉଦ୍ଦେଶ୍ୟ ଆଉ,

ପଦତୀର୍ଥେ ଦିଅ ସ୍ଥାନ ଦାସୀକି ତୁମ୍ଭର ।’’

ଉତ୍ତରିଲେ ପାର୍ଥ-‘‘ଦେବୀ ! ନୁହେଁ ତବ ସ୍ଥାନ

ପଦେ, ହୃଦ-ସିଂହାସନ ଆସନ ତୁମ୍ଭର,

 

ରଖିବି ତୁମ୍ଭଙ୍କୁ ତହିଁ ରଙ୍କରତ୍ନ ପ୍ରାୟ,

ଅର୍ଜ୍ଜୁନ ତୁମ୍ଭର ପ୍ରିୟେ, ତୁମ୍ଭେ ଅର୍ଜ୍ଜୁନର ।’’

ଏକାଳେ ପାହିଲା ରାତ୍ରି, ଶୁଣି ଦ୍ୱାରଦେଶେ

ସଖୀଙ୍କ ସଙ୍କେତ, ଭଦ୍ରା ଉଠିଗଲା ଖରେ,

 

ଉଠିଗଲେ ଧନଞ୍ଜୟ ପ୍ରାତଃକୃତ୍ୟ ଅର୍ଥେ ।

ଅନନ୍ତର ସବ୍ୟସାଚୀ ସୂକ୍ଷ୍ମ ଭୂର୍ଜତ୍ୱକେ

ଲେଖିଲେ ବିନୟ ଲେଖ ଯୁଧିଷ୍ଠିର ପାଶେ-

‘‘ପୂଜ୍ୟପାଦ ଆର୍ଯ୍ୟଦେବ, ପାଣ୍ଡବଭରସା,

 

ଘେନା ହେଉ ସେବକର ସଭକ୍ତି ପ୍ରଣତି,

କରି ନାହିଁ ନିବେଦନ ଆତ୍ମ-ବିବରଣ

ବହୁକାଳୁ ଶ୍ରୀ ଚରଣେ, ଆଜ୍ଞା ହେଉ କ୍ଷମା ।

କିନ୍ତୁ ଦେବ, ସେ ମଙ୍ଗଳ ପୟର ପ୍ରସାଦେ

 

ସର୍ବତ୍ର ମଙ୍ଗଳ ମୋର, ସର୍ବତ୍ର ବିଜୟ,

ତୁମ୍ଭ ପରି ରାଜଋଷି, ମାନବ ଦେବତା,

ନିରନ୍ତର ଯାର ଚିରମଙ୍ଗଳ ବାଞ୍ଛକ,

କାହିଁ ପୁଣି, ମହାରାଜ ! ଅମଙ୍ଗଳ ତାର,

 

ଲବ ଆଶୀର୍ବାଦ ମୋର କୁଳିଶକବଚ,

କରିଛି ସୁରକ୍ଷା ମୋତେ ସକଳ ସଙ୍କଟୁ ।

ଭ୍ରମି ବହୁ ଗିରି, ବନ, ସେବି ବହୁ ତୀର୍ଥ,

କରି ବହୁ ତପୋବନ ଶ୍ୱାପଦ-ବିହୀନ,

 

ମିଳିଲି ପ୍ରଭାସ ତୀର୍ଥେ ଦଶ ବର୍ଷ ପରେ ।

ତହୁଁ ଯାଇ କୃଷ୍ଣଚନ୍ଦ୍ର ବୃଷ୍ଣିବଂଶଚୂଡ଼ା,

ଆଣିଲେ ଆମନ୍ତ୍ରି ମୋତେ ଦ୍ୱାରକା ନଗରେ,

ଲାଗିଛି ଉତ୍ସବ ମୋର ମନସ୍ତୃଷ୍ଟିପାଇଁ,

 

ଯାଦବଙ୍କ ଅଭ୍ୟର୍ଥନା କହିଲେ ନ ସରେ,

ତହିଁ ପରେ ଶ୍ରୀକୃଷ୍ଣଙ୍କ ସସ୍ନେହ ସମ୍ମାନ,

ରଖିଛି ସତତ ମୋତେ ଲଜ୍ଜାସଙ୍କୁଚିତ,

ସେ ଆଦର ଆପ୍ୟାୟନ, ସେ ରାଜସମାନ,

 

ଯାଉଅଛି ବଳି ମୋର ଆତ୍ମଗୌରବକୁ ।

କୃଷ୍ଣଙ୍କ ଏକାନ୍ତ ଇଚ୍ଛା, କରିବାକୁ ମୋତେ

ସୁଭଦ୍ରା ପ୍ରଦାନ, ଏଥି ସାନନ୍ଦ ସମ୍ମତ

ଯଦୁକୁଳ ନରନାରୀ ସର୍ବେ, ରାମ ଭିନ୍ନ,

 

ଜାଣ ଭ୍ରାତୃଦେବ, ତୁମ୍ଭେ ରାମଙ୍କ ସ୍ୱଭାବ,

ସର୍ବଦା ସେ ପ୍ରତିକୁଳ ପାଣ୍ଡବଙ୍କ ପ୍ରତି,

ତାଙ୍କ ଇଚ୍ଛା, ଦୁର୍ଯ୍ୟୋଧନେ ଅର୍ପିବେ ସୁଭଦ୍ରା,

ପ୍ରେରିଛନ୍ତି ଦୂତ ସେହୁ ହସ୍ତିନା ନଗରେ,

 

କରିଛନ୍ତି ଆଜ୍ଞାଦାନ ଦୂର୍ଯ୍ୟୋଧନ ନୃପେ

ଆସିବାକୁ ବରବେଶେ ତ୍ୱରା ଦ୍ୱାରାବତୀ,

ଏଣେ ସତ୍ୟଭାମା ଦେବୀ ଶ୍ରୀକୃଷ୍ଣଇଙ୍ଗିତେ

ଗତ ରାତ୍ରେ କଲେ ମୋତେ ସୁଭଦ୍ରା ପ୍ରଦାନ,

 

ଗନ୍ଧର୍ବବିଧାନେ ହେଲା ବିବାହ ସମ୍ପନ୍ନ ।

ଘେନିଯିବା ପାଇଁ ବଳେ ଦେବାଳୟୁ କନ୍ୟା

ଅଛି ସତ୍ୟଭାମାଙ୍କର ମୋ ପ୍ରତି ଆଦେଶ,

ତୁମ୍ଭେ ମୋର ଭ୍ରାତା, ଗୁରୁ, ପ୍ରପୂଜ୍ୟ ଦେବତା,

 

ତୁମ୍ଭ ଆଜ୍ଞା ମୋ ପକ୍ଷରେ ଭାଗ୍ୟ ଆଶୀର୍ବାଦ,

ଉପସ୍ଥିତ ପ୍ରସଙ୍ଗରେ କି କର୍ତ୍ତବ୍ୟ, ଦେବ,

ତବ ଏ ଭୃତ୍ୟର, ହେଉ ବିହିତ ଆଦେଶ ।

ମାତୃଦେବୀ ପୂଣ୍ୟପଦେ ସାଷ୍ଟାଙ୍ଗ ପ୍ରଣତି

 

ଜଣାଇବେ କୃପା ବହି ଏ କ୍ରୀତ ଦାସର,

ଏ ପତ୍ରେ ପ୍ରଣାମ ମୋର ମଧ୍ୟମ ଅଗ୍ରଜେ,

ଆଶୀର୍ବାଦ ସହଦେବ, ନକୁଳ ଉଭୟେ ।

ତୃପାବ୍ୟଞ୍ଜୀ ପ୍ରତିଲେଖ ସଂପ୍ରାପ୍ତି ଆଶାରେ

ରହିଲି ଉଦଗ୍ରୀବ, ଇତି, ସେବକ ଅର୍ଜ୍ଜୁନ ।’’

 

ନବମ ସର୍ଗ

ଚାଲ ମା କଳ୍ପନାଦେବି-ଅରୁପରୂପିଣୀ,

( ମାନସ-କନ୍ୟକା, ସତୀ, ମାନସ-ଭରସା )

ଘେନି ଏ ସେବକେ ସଙ୍ଗେ, ଗୁରୁ ଯଥା ଶିଷ୍ୟେ

ଘେନି ଦେଶୁ ଦେଶାନ୍ତରେ ଭ୍ରମେ କୁତୁହଳେ,

 

ଚାଲ ଏବେ ଯିବା ତ୍ୱରା ହସ୍ତିନା ନଗରେ,

ବସି ଯହି ଦୁର୍ଯ୍ୟୋଧନ ବ୍ୟର୍ଥ ବରବେଶେ-

ଭବିଷ୍ୟତ ଅପମାନ ଅବ୍ୟର୍ଥ ଆହ୍ୱାନେ

କୁରୁସଭା ମଧ୍ୟେ, ରତ-ଯାତ୍ରା ଆୟୋଜନେ ।

 

ଦିଅ ତବ କଳ୍ପ-ନେତ୍ର, ଦିଅ କଳ୍ପ-ଶ୍ରୋତ୍ର,

ସେ ବେନି ପ୍ରସାଦେ, ଦେବୀ ! ରହି ଅନ୍ତରାଳେ

ଦେଖିବି ଶୁଣିବି ତହିଁ ତାବତ ବୃତ୍ତାନ୍ତ ।

ଆହା, କି ସୁନ୍ଦରୀ ସଭା, ସୁଆୟାମମୟୀ, *

*ବିପୁଳ ବିସ୍ତାରବତୀ

 

କେ ବର୍ଣ୍ଣିବ ଶୋଭା ତାର, ସ୍ୱୟଂ ଶୋଭା-ଦେବୀ

ଦେଖିଲେ ତା ଧିକ୍କାରିବେ ନିଜକୁ ଅପାର,

ଅର୍ପିବେ ନିଜକୁ ପୁଣି ନିଜେ ଅଭିଶାପ ।

ପ୍ରତେ ହୁଏ ଦେଖି ଯେହ୍ନେ-ଅମୂର୍ତ୍ତକଳ୍ପନା,

 

ଗ୍ରହଣ ସୁନ୍ଦର ମୂର୍ତ୍ତି ଉଭା କୁରୁରାଜ୍ୟେ,

ଯାତ୍ରାର ମଙ୍ଗଳବାଟ ରାଜେ ପନ୍ତି ପନ୍ତି

ପୂଣ୍ୟତୀର୍ଥବାରିପୂର୍ଣ୍ଣ, ସିନ୍ଦୂରେ ମଣ୍ଡିତ ।

ଆଣିଛ ଛଡ଼ାଇ ସଭା ଅନମ୍ବରଭୂତି,

 

ବିଜେ ତହିଁ ଭୀଷ୍ମ-ଶୌର୍ଯ୍ୟ-ପ୍ରଚଣ୍ଡମାର୍ତ୍ତଣ୍ଡ,

ଶିଳା-ଲୌହ-ବଜ୍ରଜିତ ସୂଦୃଢ଼ପ୍ରତିଜ୍ଞ,

କର୍ଣ୍ଣ, ଦ୍ରୋଣ, କୃପ ଆଦି ଚନ୍ଦ୍ର, ନକ୍ଷତ୍ରରେ

ମଣ୍ଡିତ ସେ ମହାସଭା, ମଣ୍ଡିତ ଆବର

 

ଦୁଃଶାସନ, ଦୁର୍ଯ୍ୟୋଧନ, ଶକୁନି ପ୍ରଭୃତି

ଦୁଷ୍ଟ ଧୂମକେତୁପୁଞ୍ଜେ-ଭାରତକଳଙ୍କ ।

ବସି ତହିଁ କୁରୁନାହା, ଅହମିକା-ଅନ୍ଧ,

( ସୁଖଦେବ ଲବେ ଯାକୁ ନ ଓହ୍ଳାନ୍ତି କୋଳୁ )

 

ଆଶାର ମାରୀଚ ପଛେ ହୁଏ ଧାବମାନ,

ବହେ ହୃଦେ ଉତ୍ସାହର ସଞ୍ଜୀବନୀ ଧାରା ।

ବିପୁଳ ପୁଲକ ଉତ୍ସ ବଦନମଣ୍ଡଳ

ମହିମାରେ ମହୋଜ୍ଜ୍ୱଳ, କେତେ ସ୍ୱପ୍ନସୌଧ

 

ନିର୍ମାଣୁଛି ମହାଶୂନ୍ୟେ, ପ୍ରାଣ ଆତ୍ମା ତାର,

ଅତିରିକ୍ତ ମୋଦ-ମଦେ ହୋଇଛି ମୂର୍ଚ୍ଛିତ ।

ଚାହିଁ ଦୁର୍ଯ୍ୟୋଧନେ ହର୍ଷେ ଭାଷିଲା ଶକୁନି

‘‘ଆଜି ଶୁଭଦିନ, ବତ୍ସ, କୌରବକୁଳର,

 

ବିଶ୍ୱଭୂଷା ପୂଷାରାଣୀ ଉଷାଦେବୀ ଆଜି

ଶୁଭେ ଉଇଁ ଶୁଭମୟ ମୟୂଖବର୍ଷଣେ

ସୃଜିଛନ୍ତି ମଙ୍ଗଳର ଅମୃତ ଉତ୍ସବ ।

ଶୋଭିବ ସୁଭଦ୍ରା, ତାତ, ଦକ୍ଷେତରେ ତବ,

 

କୁରୁକୁଳ-ସୌଭାଗ୍ୟର ରାଜଲକ୍ଷ୍ମୀରୂପେ,

ଗୁରୁଯଶା ଯଦୂ କୁରୁ ବେନି ମହାବଂଶ,

ବଦ୍ଧ ହେବେ ବନ୍ଧୁତାର ଅଚ୍ଛିନ୍ନ ବନ୍ଧନେ,

ଯଦୁକୁଳ ବୀର୍ଯ୍ୟ-ଉଷ୍ଣ ତେଜସ୍ୱୀ ଶୋଣିତେ

 

ସଂମିଶ୍ରିବ ସମତୀବ୍ର କୌରବ ରୁଧିର,

ଅଗ୍ନିରେ ମିଶିବ ଅଗ୍ନି-ଭୂବନଦୁର୍ବାର ।

ଧନ୍ୟ ହେବ କୁରୁକୁଳ ଯଦୁକୁଳ ସ୍ପର୍ଶେ,

ବିରାଟ ବିଶ୍ମୈକବୀର ରାମଙ୍କ ସହାୟେ

 

ହେବ ବାବୁ, କୁରୁକୁଳ ନିର୍ଭୟ ଜଗତେ,

ରାମ ଯାର ସାହା ସେହୁ ମର୍ତ୍ତ୍ୟରେ ଅମର ।

ଫୁଲାଇଣ ବୀରବପୁ କ୍ରୋଧମିଶା ହାସ୍ୟେ

ଉତ୍ତରିଲା ଦୁଃଶାସନ-ଦୂରନ୍ତ, ଦୁର୍ମୂଖ

 

ମାତୁଳି ! ବାତୁଳ ଆଜି ହେଲ କି ହେ ଦୈବେ

ଜାଣେ ମୁଁ, ଭାରତେ ରାମ ଅଦ୍ୱୈତ ସାମରୀ,

କିନ୍ତୁ ତାଙ୍କ ସହାୟରେ ହେବ କି ନିର୍ଭୟ

କୁରୁକୂଳ ? ଏଡ଼େ କି ସେ ହୀନସ୍ୱତ୍ୱ ସତେ ?

 

ନ ଜନ୍ମନ୍ତି କୁରୁବଂଶେ ଛାଗ, ମେଷ, ଗଧ,

ଜନ୍ମନ୍ତି ଶାର୍ଦ୍ଦୁଳ, ସିଂହ, ଜାଣିବ ନିକର ।

କାହାକୁ ବା କୌରବର ଭୟ ଏ ବ୍ରହ୍ମାଣ୍ଡେ,

ମଧୁଚକ୍ର ସଂରକ୍ଷକ ମଧୁମକ୍ଷିପୁଞ୍ଜେ,

 

ଡରନ୍ତି କି ମଧୁଲୋଭୀ ଭଲ୍ଲୁକେ କଦାଚ ?

ବରଂ ଦଂଶ ବିଷଶୃଙ୍ଗେ ଦିଅନ୍ତି ଫୁଲାଇ

ଥୁମୁଣି ତାହାର, ତହୁ ତୀବ୍ର ଯନ୍ତ୍ରଣାରେ

ପଳାଏ ସେ ପ୍ରାଣ ଘେନି, ନଚାହିଁ ପଛକୁ ।

 

ଉଚ୍ଚାରିଲା ଏଭଳି ଯା ହୀନ କ୍ଳୀବ ଭାଷା

ବୀରଜିହ୍ୱା ତବ, ମାମୁ, ଏହା ହିଁ ଆଶ୍ଚର୍ଯ୍ୟ,

କି ତାର ତୁମ୍ଭର ଭଲା, ନିନ୍ଦୁଛି ମୁଁ ବୃଥା,

ଏ ନୀଚତା ତୁମ୍ଭର ତ ପୈତୃକ-ବିଭବ ।

 

କିନ୍ତୁ ଏହି ଭୀରୁ ବାଣୀ ଉଚ୍ଚାରଣମାତ୍ରେ

ପଡ଼ିଥାନ୍ତା ଛିଡ଼ି ତବ ଦୂଷିତ ରସନା ।’’

ଏଣେ ଭୀଷ୍ମ ଦ୍ରୋଣ ହୋଇ ଆଖି ଠରାଠରି

ନୟନେ ନୟନେ କଥା କହିଲେ ପହିଲେ,

 

କ୍ରମେ ସେ ନିର୍ବାକ ବାଣୀ ହେଲା ପରିଣତ

ସବାକ ଅନୂଚ୍ଚ ସ୍ୱରେ-ଅନ୍ୟର ଅଶ୍ରୁତ ।

କହିଲେ ସମ୍ବୋଧି ଭୀଷ୍ମେ ବୃଦ୍ଧ ଭରଦ୍ୱାଜ-

‘‘ଦେଖିଲ ତ ଭୀଷ୍ମଦେବ, କାର୍ଯ୍ୟ ଆରମ୍ଭରେ

 

ଲାଗିଲାଣି କଳିଗୋଳ, ବାଦ ପ୍ରତିବାଦ !’’

ଉତ୍ତରିଲେ ଜାହ୍ନବେୟ ମୃଦୁହାସ୍ୟ ଆସ୍ୟେ

‘‘ଯହିଁରେ ଆରମ୍ଭ ଯାର, ତହିଁ ତା ସମାପ୍ତି,

ଆରମ୍ଭ କଳହେ ହେଲେ, ସମାପ୍ତି କଳହେ,

 

ନ ହୁଅ ଆଶ୍ଚର୍ଯ୍ୟ ଦେଖି ଆଚାର୍ଯ୍ୟ ଆପଣେ ।’’

‘‘ସତ୍ୟ-ମହାସତ୍ୟ, ଯାହା କହିଲେ ମଣିମା’’

ଭାଷିଲେ ପୁଲକେ ଦ୍ରୋଣ, ‘‘ଦେଖୁଛି ମୁଁ ଆର୍ଯ୍ୟ

ଭଦ୍ର ନାହିଁ ଏ କାର୍ଯ୍ୟରେ, ନିଶ୍ଚୟ ଏହାର

 

ପରିଣାମ ଲଜ୍ଜାବହ, ଲାଞ୍ଛନା ହିଁ ସାର ।

କହିଛି ଏକାନ୍ତେ ଦୂତ ବିଦୂର ଅନ୍ତିକେ-

ଏକା ବଳରାମ ଭିନ୍ନ ଅନ୍ୟ ଯାଦବର

ନାହିଁ ଏ ବିବାହେ ମତ, ଶୁଣିଛି ଆବର,

 

ଦ୍ୱାରକାରେ ଅଛି ପାର୍ଥ-କୃଷ୍ଣପ୍ରାଣସଖା,

ତାହା ସହ ସୁଭଦ୍ରାର ବିବାହ ପ୍ରସ୍ତାବ

ହୋଇଥିଲା ଯଥାକାଳେ ଯଦୁ ସଭାମଧ୍ୟେ,

ଯଦୁକୂଳ ନରନାରୀ ସର୍ବେ ଏ ପ୍ରସ୍ତାବେ

 

ଏକମତ, ଭିନ୍ନମତ ବଳରାମ ଏକା,

ତାଙ୍କଇଚ୍ଛା ଦୁର୍ଯ୍ୟୋଧନେ ଅର୍ପିବେ ସୁଭଦ୍ରା,

ତେଣୁ ପେଷିଛନ୍ତି ଦୂତ କୁରୁନାହା କତି ।’’

‘‘ନ କର ପ୍ରକାଶ, ଗୁରୁ !’’ ଭାଷିଲେ ଗାଙ୍ଗେୟ

 

ଅତୀବ ଅନୂଚ୍ଚ ସ୍ୱରେ-ଚାଞ୍ଚଲ୍ୟମିଶ୍ରିତ,

‘‘କହିଲେ କହିବ ଦୁଷ୍ଟ ଖୁଣ୍ଟା ଦେଇ ଆଗେ’’

‘‘କୌରବଙ୍କ ଅନ୍ନ ଖାଇ ପାଣ୍ଡବଙ୍କ ଚିନ୍ତା ।’’

ବଜ୍ରାଘାତେ, ପୁଷ୍ପପାତ, ଘଟିବାର ଯାହା

 

ଘଟୁ ଭାଗ୍ୟେ ତାର, ଆମ୍ଭେ ବରଯାତ୍ରୀ ମାତ୍ର,

ଦେଖିବା ଅର୍ଜ୍ଜୁନେ, ଲାଭ ଏହାହିଁ ଯଥେଷ୍ଟ,

ଦେଖି ନାହିଁ ତାହାକୁ ମୁଁ ଦଶବର୍ଷ ହେଲା,

କେତେ ସେବା କରେ ମୋର, ହାୟ, ବତ୍ସମଣି

 

ସେ ସେବାସ୍ମୃତିର ଶୂନ୍ୟ ମୂର୍ତ୍ତିକୁ ମୁଁ ଏବେ

ଅଭିଷେକି ଅଶ୍ରୁଜଳେ, ଲଭେ ଶାନ୍ତି ପ୍ରାଣେ

ଆବର ଅରଜି ଅର୍ପି ଉତ୍ତପ୍ତ ପ୍ରଶ୍ୱାସେ

ଲଭେ ମୁଁ ସାନ୍ତ୍ୱନା, ଆହା, କି ମଧୁର ତାର

 

ପିତାମହ ସମ୍ବୋଧନ, କିଣିନିଏ ପ୍ରାଣ ।

ବସି ମୋର ପଦପ୍ରାନ୍ତେ ଶୁଣାଏ ଯେବେ ସେ

ନିଷ୍‌କାମ ଧର୍ମର ବ୍ୟାଖ୍ୟା ଅମୃତ ଭାଷଣେ

ସଶରୀରେ ସ୍ୱର୍ଗଲାଭ ମଣେ ମୁଁ ସେକାଳେ ।’’

 

ନୀରବନ୍ତେ କୁରୁବୃଦ୍ଧ, ଉଦେ ପାର୍ଥସ୍ମୃତି

ଗୁରୁମନେ, ହେଲା ନେତ୍ର ଅଶ୍ରୁ ଛଳଛଳ,

ପ୍ରବାସୀ ପୁତ୍ରର ସ୍ମୃତି ପିତୃହୃଦେ ଯଥା,

କ୍ରନ୍ଦନ-ଗଦ୍‌ଗଦ କଣ୍ଠେ କହିଲେ ଆଚାର୍ଯ୍ୟ-

 

‘‘ସତ, ଯା ବୋଇଲ ଭୀଷ୍ମ-ରଥୀନ୍ଦ୍ରପ୍ରବର’’,

ଗୁଣର ଗରିମା ପାର୍ଥ, କି ଭକ୍ତି, କି ସେବା,

Unknown

କେଡ଼େ ସତ୍ୟନିଷ୍ଠା, ତାହା ସତ୍ୟ, ତାହା ଧର୍ମ

କୁଳିଶ-କଞ୍ଚୁକ ପ୍ରାୟ ଆବରି ତାହାକୁ

 

କରୁଛି ଗରିଷ୍ଠ କ୍ରମେ, ସେ ସୌମ୍ୟବଦନ,

ସେ ମୋହନ ମୂର୍ତ୍ତି ସଦା ନାଚୁଛି ସମକ୍ଷେ ।

ଧନ୍ୟ ଗୁରୁଭକ୍ତି ତାର, ମଣେ ଶ୍ଳାଘ୍ୟତମ

ନିଜକୁ ମୁଁ ବୀରମଣି, ତାହା ଗୁରୁ ବୋଲି

 

ଇନ୍ଦ୍ର ରାଜା ମଧ୍ୟସ୍ଥଳେ ଲକ୍ଷ୍ୟଭେଦ କାଳେ

ପ୍ରଥମେ ବନ୍ଦିଲା ମୋତେ, ପେଷି ସଲିକାସ୍ତ୍ର

ଧୋଇ ଦେଇ ପଦ ମୋର, ଅପର ଅସ୍ତ୍ରରେ

ପ୍ରଣମିଲା ପଦ ଧରି, ତହୁଁ ମୁଁ ପେଷିଣ

 

ପ୍ରତିଶର, ଆଶିଷିଲି ଶିର ଚୁମ୍ବିତାର ।

ପୁତ୍ରାଧିକ ସ୍ନେହ ସଦା ତା ପ୍ରତି ମୋହର,

କରି ନାହିଁ, ନ କରିବି ତାହା ପରି ଶିଷ୍ୟ,

ବଞ୍ଚିଥାଉ ବତ୍ସ, ଘେନି ମୋର ପରମାୟୁ ।

 

ଯାବତ ମାନବ ଜାତି ଥିବ ଏ ମହୀରେ,

ଯାବତ ରହିବ ପୁଣି ଗିରି-କିରୀଟିନୀ

କୋଟିତୀର୍ଥମାଳିନୀ ଏ ଭାରତ ଜନନୀ,

ତାବତ ଅର୍ଜ୍ଜୁନ ଯଶ ରହିବ ଅକ୍ଷତ,

 

ସଲିଳେ, ଅନିଳେ, ପୁଣି ପୁଷ୍ପଗନ୍ଧେ ମିଶି,

ସେ ଅନନ୍ତ ଯଶ-ପ୍ରଭା, ଅନନ୍ତ ଗଗନେ

ରବି, ଶଶୀ, ତାରକାଦି ଜ୍ୟୋତିଷ୍‌କମଣ୍ଡଳେ

ଅର୍ପିବ ଅନନ୍ତ କାଳ ଅନନ୍ତ ବିଭବ ।

 

ଗୀତ ହେବ ପକ୍ଷିକଣ୍ଠେ ସେ ସୁଯଶଗାଥା,

ବୀଣାତାରେ, ଘନସ୍ୱରେ, ପତ୍ରର ମର୍ମରେ

କରିବ ସେ ପୁଣ୍ୟ ଖ୍ୟାତି ଆତ୍ମପରକାଶ,

ଘୋଷିବ ସେ ଯଶୋବେଦି ନିର୍ବେଦ ନିଶୀଥ,

 

ଗଭୀର ନୀରବ ଛନ୍ଦେ, ଅନୁଷ୍ଟୁପ ବୃତ୍ତେ,

ହେବ ପୁଣ୍ୟ, ଧନ୍ୟଂମନ୍ୟା ଶୁଣି ତା ଭାରତ ।’’

ଏକାଳେ ବିଦୂର ମିଳି କୁରୁସଭାମଧ୍ୟେ,

କୁରୁନାହା ଦୁର୍ଯ୍ୟୋଧନେ କହିଲେ ଏସନ-

 

‘‘କିପାଇଁ ଏ ଆୟୋଜନ ? କ୍ଷାନ୍ତ ହୁଏ ବତ୍ସ,

କହିଲା ବିଶ୍ୱାସୀ ଦୂତ, ସୁଭଦ୍ରା ବିବାହ

ହୋଇଗଲା ପାର୍ଥ ସହ ଗତ ରଜନୀରେ ।’’

ଉଠିଲା ବିଦ୍ରୂପ ହାସ୍ୟ ଶୁଣି ଏ ବଚନ

 

ଦୁଷ୍ଟଜନକଣ୍ଠୁ, ଶିଷ୍ଟେ ଗଣିଲେ ତାଟଙ୍କା,

ଉଠିଲା ସୌବତ ହସି ଉଚ୍ଚେ ଖଳଖଳେ,

ହସିଲାକ ଦୁଃଶା, ହସି ନିଜେ ଦୁର୍ଯ୍ୟୋଧନ

କହିଲା, ନିର୍ମମ ସ୍ୱରେ-ବ୍ୟଙ୍ଗ ବିଦ୍ରୂପିତ

 

‘‘ଦେଖିଥିବ, ଖୁଲ୍ଲତାତ ! ଦୂତ ତବ ସ୍ୱପ୍ନ,

ଆଜନ୍ମହିତୈଷୀ ତୁମ୍ଭେ, ଜାଣେ ମୁଁ ମୋହର,

ଜନ୍ମକାଳେ ଦେଇଥିଲି ତତେ ଉପଦେଶ

ବର୍ଜିବାକୁ ମୋତେ ତେଣୁ, ସେ ଋଣ ଅଶୋଧ୍ୟ,

 

ତହିଁ ପରେ କିମ୍ପା ପୁଣି ଏତେ ଦୟା ଆଜି,

ବୁଝିଛି ପିତୃବ୍ୟ ତବ ବିଫଳ ଚାତୁରୀ ।’’

କହିଲା ଗମ୍ଭୀରେ ଦୁଃଶା, ‘‘ପିତୃବ୍ୟଙ୍କ ମୁଖେ

ରହିଥାଏ ଲାଗି ସଦା ପାଣ୍ଡବଙ୍କ ଖ୍ୟାତି

 

ଭକ୍ତମୂଖେ ଭାଗବତ ପ୍ରାୟ, ଖୁଲ୍ଲତାତ,

ହୋଇଥାଏ ଯେବେ ତବ ଅସହ୍ୟ ସର୍ବଥା

କୌରବଙ୍କ ଏ ସମ୍ଭବ, ତେବେ ତୁମ୍ଭ ପକ୍ଷେ

ନ ଯିବା ଉଚିତ ଏକା ବରଯାତ୍ରୀରୂପେ ।’’

 

‘‘ଯିବି ନାହିଁ ବତ୍ସ ମୁହିଁ, ନୁହଁ ବ୍ୟତିବ୍ୟସ୍ତ’’

ଉତ୍ତରିଲେ କ୍ରୋଧଭରେ ଧାର୍ମିକ ବିଦୂର,

‘‘ତୁମ୍ଭ ସଙ୍ଗେ ଯାଇ, ତୁମ୍ଭ ଶିଶୁପାଳ ଦଶା

ଦେଖିବା ହିଁ ମୋହୋ ପକ୍ଷେ ଅସହ୍ୟ ନିଶ୍ଚୟ,

 

କିନ୍ତୁ ବତ୍ସ, ପରିଣାମେ ସ୍ମରିବ ମୋ ବଥା,

ଏହା ଭାଷି ଧର୍ମବୀର ଗଲେ ଚାଲି ଖରେ ।

ଅନନ୍ତର ରାଜଆଜ୍ଞା ହେଲା ପ୍ରଚାରିତ

କରିବାକୁ ତ୍ୱରା ଯାତ୍ରା ଦ୍ୱାରାବତୀ ମୂଖେ,

 

ଲାଗିଗଲା ତହୁଁ ବେଗେ ଗହଳ ଚହଳ,

ଉଠିଲା ମୂଖରି ସଭା କୋଟି କୋଳାହଳେ,

କଲେ ଭାଟ ସ୍ତୁତିପାଠ, ଗ୍ରହବିପ୍ରେ ମିଳି

ଗାଇଲେ ମଙ୍ଗଳାଷ୍ଟକ, ଉଚ୍ଚାରିଲେ ସ୍ୱସ୍ତି

 

ପୁରୋଧାମଣ୍ଡଳୀ, ବିପ୍ରେ କଲେ ବେଦଧ୍ୱନି ।

ବୁଲିଲା ହସ୍ତିନାପୁରେ ଜୀବନ୍ତ ଚାଞ୍ଚଲ୍ୟ

ଖେଳି, ଗତି ମତି ଉଭେ ଚଞ୍ଚଳ ସଭିଙ୍କ,

ପୂର୍ଣ୍ଣ ଦିଗ-ଉଠ ଉଠ, ଚାଲ ଚାଲ ସ୍ୱରେ ।

 

ପ୍ରଥମେ ଚାଲିଲେ ନାଚି ବାଦ୍ୟାକାରଦଳ,

ଚିରି ନଭ ସୁବାଦ୍ୟର ଉନ୍ମାଦନା ଶବ୍ଦ

ଉଠିଗଲା ମହାଶୂନ୍ୟେ, ଥରିଲା ଆକାଶ,

ଥରିଲା ପାତାଳ, ପୁଣି ଥରିଲା ଧରଣୀ

 

ସେ ବିରାଟ ଶବ୍ଦେ, ଚିରମୁଖରିତ ସିନ୍ଧୁ

ନୀରବ ନିସ୍ତବ୍‌ଧ ଭାବ ଭଜିଲା ବିସ୍ମୟେ ।

ତହିଁ ପଛେ ଧ୍ୱଜଧାରୀ, ଛଡ଼ାଇଣ ବଳେ

ଶୋଭାକାନ୍ତ ଇନ୍ଦ୍ରଧନୁ ସୁଷମାବିଭବେ,

 

ଚାଲିଛନ୍ତି ଦଳେ ଦଳେ ବହୁସ୍ଥାନ ବ୍ୟାପି ।

ତା ପଛେ ଚାଲିଛି ରଥ ସହସ୍ର ସହସ୍ର,

ଚାରୁଶିଳ୍ପ-ଆଭରଣେ ଆବୃତ୍ତ, ସୁନ୍ଦର,

ମନ୍ଦିରସଙ୍କାଶ କେହି, ମନ୍ଦିର ସଦୃସ ।

 

ତହିଁପରେ କ୍ରମେ କ୍ରମେ ଚାଲିଛି ମନ୍ଥରେ

ଗଜାରୋହୀ, ଅଶ୍ୱାରୋହୀ, ପଦାତି ବାହିନୀ,

ମଧ୍ୟେ ଦୁର୍ଯ୍ୟୋଧନ ରାଜା, ସୁବର୍ଣ୍ଣ ଚୌଦୋତେ

ଚାଲିଅଛି ବରବେଶେ, ଚାଲିଛି ଚୌପାଶେ

 

ତରାସ, ଆଢ଼େଣୀ, ଛତ୍ର, ଚାମର ଅସଂଖ୍ୟ,

ପ୍ରତେ ହୁଏ ଚାଲିଛି କି ଘୋର ଘନଘଟା

ମେଘରାଜ୍ୟେ, ଆଦ୍ୟାଷାଢ଼େ ମହାସମାରୋହେ ।

ଅଥବା ସେ ସୀମାଶୂନ୍ୟ ସଚଳ ସାଗର,

 

ପତାକା-ତରଙ୍ଗ ତହିଁ, ସ୍ୟନ୍ଦନ-ବହିତ୍ର,

କୁମ୍ଭିଏ-କୁମ୍ଭୀର, ଅଶ୍ୱେ-ମହାମୀନ ସମ,

ଆବର ପଦାତିପନ୍ତି-ଶଙ୍ଖ ଶାମୁକାଦି,

ବାହିନୀ ଉଷ୍ଣୀଷ-ରାଜେ ଫେନପୁଞ୍ଜ ପ୍ରାୟ ।

 

କାନ୍ତାର ପ୍ରାନ୍ତର ଗିରି ଚିରି ବହୁତର,

ହେଲା ଅଗ୍ରସର କ୍ରମେ କୁରୁ ଅନୀକିନୀ,

ହରିନେଲା ପଥକ୍ଳେଶ ପ୍ରକୃତିବିଭବ,

କାହିଁ ଫୁଲିଅଛି କ୍ଷେତ୍ରେ ଶସ୍ୟ-ସ୍ୱର୍ଣ୍ଣ ଚୂଡ଼,

 

ତା ଦେଖି ଉଠିଲା ଫୁଲି ଆନନ୍ଦେ ହୃଦୟ ।

କାହିଁବା କାନନ କୋଳୁ ଆସୁଅଛି ଭାସି

ବିଷାଦକାତର ସ୍ୱର କୁରରୀ ପକ୍ଷୀର,

କଣ୍ଠ ବୀଣାଯନ୍ତ୍ରେ ତାର କି କରୁଣ ସ୍ୱର

 

କାନ୍ଦି କାନ୍ଦି ଉଠୁ ଅଛି ବାକି ଘନ ଘନ ।

କାହିଁ ବା ନିର୍ଝର ବ୍ୟାଜେ ପ୍ରେମ-ଅଶ୍ରୁଧାରା

ଦେଉଛି ଗଡ଼ାଇ ଗିରି, ପ୍ରେମିକପ୍ରବର,

ଗାଇ ଗାଇ ଗୁହାମୂଖେ ବିଶ୍ୱପ୍ରେମଗୀତି ।

 

କାହିଁ ବା ଯାନ୍ତ୍ରିକେ ହେରି ବିରାଟ ଶ୍ମଶାନ

ଉଠିଲେ ଚମକି ଭୟେ, ଆତ୍ମଜୀବନର

ସ୍ମରି ପରିଣାମ, ଗଲା ମୋହ ନିଶା ତୁଟି,

ଅନୁତାପେ କାହା ଆତ୍ମା କଲା କିଛିକ୍ଷଣ

 

ନିର୍ଜଳ ଉପାସ, ଭକ୍ତ ସାଧକଗଣର

ଉଠିଲା ଉଜ୍ଜ୍ୱଳ ହୋଇ ବଦନେ ଆନନ୍ଦ ।

କେତେକର ହୃଦୟରେ ହେଲା ନାହିଁ କିଛି

ଭାବାନ୍ତର ଜାତ, କିମ୍ବା ଚିନ୍ତାରେଖାପାତ,

 

ରହିଲେ ସେମାନେ ସ୍ଥିର, ନିର୍ବାତ ବିକ୍ଷୁବ୍‌ଧ-

ସିନ୍ଧୁ ଯଥା, ଅଜ୍ଞାନ ସେ ସର୍ବେ, ମଣିଛନ୍ତି

ବାନ୍ଧିଛନ୍ତି ଲୌହେ ପ୍ରାଣ, ନାହିଁ ତାଙ୍କ ମୃତ୍ୟୁ;

ଯାଇଛନ୍ତି ଭୁଲି ମୂଢ଼େ ମୃତ୍ୟୁକୁ ସମୂଳେ,

 

କିନ୍ତୁ ଭୁଲି ନାହିଁ ମୃତ୍ୟୁ ତାଙ୍କୁ, ଅଜ୍ଞାତ ସେ

ଏହା, ତେଣୁ ସର୍ବେ ଯଥା ଅଗଣ୍ଡଗୋପାଳ ।

କେତେ ଭାବ ଜନ୍ମେ ମନେ ଶ୍ମଶାନ ଦର୍ଶନେ,

କେତେ ମହାପ୍ରାଣୀ ଲୁପ୍ତ ନିର୍ମମ କାତର

 

ଅବ୍ୟର୍ଥ ଆହ୍ୱାନେ ତହିଁ, ସମାହିତ କେତେ

ବିପୁଳ ଗୌରବସ୍ମୃତି, ଅତୀତ ବିଭବ,

( ବର୍ତ୍ତମାନସର୍ବସ୍ୱ ସେ ଭବିଷ୍ୟ ସଙ୍ଖାଳି )

କେ କରିବ ତାହା, କିଏ ଗଣିବ ନକ୍ଷତ୍ର ।

 

କେତେ ଯେ ପ୍ରତିଭାବିଭା-ଅମର ଦୁର୍ଲଭ

ରହିଛି ସେ ଶ୍ମଶାନର ରେଣୁରେ ମିଶ୍ରିତ,

ସ୍ମରିଲେ ତା ହୁଏ ଚିତ୍ତ କ୍ଷୁବ୍‌ଧ ମୁଗ୍‌ଧ ସ୍ତବ୍‌ଧ-

ମହା ଅନୁତାପେ, ମୋଦେ, ବିପୁଳ ବିସ୍ମୟେ ।

 

କାହିଁବା ଶାହଳେ ୧ ବସି ଗୋପବାଳାକୁଳ,

କରୀଷ ୨ ନିର୍ମାଣେ ରତ, ରନ୍ଧନ ସମୟେ

ହେବ ତାହା ବ୍ୟବହୃତ ଅଗ୍ନି ଦେବଙ୍କର

ମଣୋହି ଚକୁଳି ୧ ରୂପେ, ପ୍ରିୟ ଭୋଜ୍ୟ ତାଙ୍କ ।

୧ – ତୃଣାଚ୍ଛନ୍ନ ପ୍ରାନ୍ତର । ୨ – ଘସି ।

୧ – ପିଷ୍ଟକ ବିଶେଷ ।

 

କାହିଁ ରାଜେ ସରୋବର-ସ୍ୱଚ୍ଛ ଜଳ ତାର

ଶିଶୁହୃଦ ଜିଣି ପୁତ, ମଧୁର, ଶୀତଳ,

ସରୋରାଜ ଅଙ୍କେ ବସି ସରୋରାଜଜେମା

ସରୋଜିନୀ ହସେ ହେରି ଗଗନେ ତପନେ,

 

ପିତୃକୋଳେ ଶିଶୁକନ୍ୟା ଯଥା ରାତ୍ରିକାଳେ

ହସେ ଅସମ୍ଭାଳେ ଦେଖି ଜହ୍ନମାମୁ ରୂପ ।

ତୀରେ ଶୋଭାଞ୍ଜନ କୁଞ୍ଜେ ବସି ଫୁଲଚୁଇ,

କୁସୁମ-କୃତ୍ତିକାପୁଞ୍ଜେ ଲୁଚାଇ ଶରୀର,

 

ମୋହନ ମାଧୁରି ସ୍ୱରେ ବାଏ କଣ୍ଠ-ବଂଶୀ,

କେବେ ବା କୃତ୍ରିମ କ୍ରୋଧେ ମହା ଆଡ଼ମ୍ବରେ

ଲଗାଏ ଦାମ୍ପତ୍ୟକବି ପ୍ରେୟସୀ ସହିତେ,

ମାତ୍ର ତାହା ଲଘୁକ୍ରିୟା ଋଷିଶ୍ରାଦ୍ଧ ପ୍ରାୟ ।

 

କେତେ ମାନ, ଅଭିମାନ, ସାଧ୍ୟସାଧନାର

ଲାଗେ ମହା ଅଭିନୟ, ବହିଯାଏ କେତେ

ଆଭାସ, ଇଙ୍ଗିତ-ସ୍ରୋତ ସହସ୍ରଧାରାରେ,

ମାତ୍ର ସବୁ କ୍ଷଣସ୍ଥାୟୀ, କ୍ଷଣସ୍ଥାୟୀ ଯଥା

 

ପ୍ରାତସ୍ତନ କୁଜ୍ଝଟିକା, ଘଡ଼ିକ ମଧ୍ୟରେ

କେଜାଣି ମିଳାଇଯାଏ କାହିଁ ସେ ସକଳ

ହୋଇଯାନ୍ତି ସେ ଦମ୍ପତି ଦୁହେଁ ଦୁହିଁଙ୍କର,

କରେ ଆସି ଦ୍ୱନ୍ଦସ୍ଥାନ ପ୍ରେମ ଅଧିକାର ।

 

କି ମହାମାନ୍ତ୍ରୀକ ପ୍ରେମ, ସ୍ପର୍ଶମାତ୍ରେ ତାର

ଭାଙ୍ଗିପଡ଼େ ଅଭିମାନ-ହିମାଦ୍ରି ଶିଖରୀ,

ହୋଇଯାଏ ଲୌହ ପାଣି, ତିକ୍ତ ହୁଏ ମଧୁ,

ଅଦ୍ଭୁତ ତରଣୀ ତାର, ଅଦ୍ଭୁତ କୌଶଳ ।

 

ପ୍ରେମରେ ଯମୁନାସ୍ରୋତ ବହେ ପ୍ରତିଲୋମେ,

ଅକାଳେ ବସନ୍ତ ଆସେ, ଶୁଭେ ପିକ ବାଣୀ,

ଶିଶିରେ ବିକଶେ ପଦ୍ମ, ମତି-ଗୋପାଳୁଣି

ହୁଏ ଉନ୍ମାଦିନୀ-ପ୍ରେମ ବଂଶୀଧ୍ୱନି ଶୁଣି ।

 

ପ୍ରେମରେ ସୃଷ୍ଟ ଏ ବିଶ୍ୱ, ପ୍ରେମେ ପରିପୁଷ୍ଟ,

ପ୍ରେମରେ ଚାଳିତ, ପୁଣି ପ୍ରେମେ ସଂଜୀବିତ,

ଭଜିବ ବିଲୟ ପ୍ରେମେ ବିଶ୍ୱପ୍ରେମୀ ପଦେ,

ପ୍ରେମ ହିଁ ଦୁଇକୁ ଏକକରଣେ ଭାଜନ ।

 

ଏହିରୂପେ ନାନା ଦୃଶ୍ୟ ଦେଖି ଦେଖି ପଥେ

ବିବାହଯାତ୍ରିକେ, ଶେଷେ ଯଥାସମୟରେ

ଦ୍ୱାରକାର ଉପକଣ୍ଠେ ହେଲେ ଉପସ୍ଥିତ ।

ରାମଙ୍କ ଆଦେଶେ ତହିଁ ହୋଇଥିଲା ପୂର୍ବୁ

 

ଅଭ୍ୟର୍ଥନା ଆୟୋଜନ, ସ୍ୱୟଂ ବଳରାମ

ଉପସ୍ଥିତ ଥିଲେ ବର ଅଭ୍ୟର୍ଥନା ପାଇଁ ।

ଦୂରୁ ଦେଖି ଦୁର୍ଯ୍ୟୋଦନ ଓହ୍ଲାଇ ଚୌଦୋଳୁ,

ନମିଲେ ସାଷ୍ଟାଙ୍ଗେ ଆସି ରାମ-ପାଦତଳେ,

 

ଉଠାଇ ସାଦରେ ତାଙ୍କୁ ଦେବ ହଳପାଣି

ତୋଷିଲେ ଅଧୀର ହର୍ଷେ ଆଲିଙ୍ଗନ ଦାନେ

ନିବେଦିଲେ ଦୀନଭାଷେ କୌରବଭରସା,

‘‘ଗୁରୁଦେବ ! ପୁତ ହେଲି ସେ ପଦଦର୍ଶନେ,

 

ଏ ଅଧମ ଶିଷ୍ୟ ପ୍ରତି ପ୍ରକାଶିଲେ ଦେବ,

ଯେ ଅତୁଳ କୃପା, ନାହିଁ ପ୍ରତିଦାନ ତାର,

ଆଜିଠାରୁ ପ୍ରାଣ, ଆତ୍ମା, ଏ ଛାର ଶରୀର,

ବାସନା, କାମନା ଦେଲି ଅର୍ଘ୍ୟ ତବ ପଦେ ।’’

 

‘‘ଉତ୍ତରିଲେ ହଳାୟୁଧ ହର୍ଷଗଦଗଦେ-

ମଣିବ ଏଣିକି ବତ୍ସ, ହସ୍ତିନା ଦ୍ୱାରକା

ଏକ, ଏକ-କୁରୁ ଯଦୁବଂଶ, ନିଜ ଗୁଣେ ।

ହେଲେ ହେଁ ଦ୍ୱାରକା ଦୂର, ଆସି ଥରେ ଥରେ

 

କରୁଥିବ ପଦାର୍ପଣ ଏ ପୁରେ ନୃବର,

କରୁଥିବ ଆନନ୍ଦିତ ସାକ୍ଷାତ ପ୍ରଦାନେ ।’’

ପ୍ରତିବାକ୍ୟେ କୁରୁମଣି କହିଲେ ଏସନ-

‘‘ଦୂରତୀର୍ଥ ଗମନରେ, ପ୍ରଭୁ ଦରଶନେ

 

ହୁଏ କି କୁଣ୍ଠିତ ଭକ୍ତ ? ବାଞ୍ଛିତ ତାର ତା ।’’

ତହୁଁ ସର୍ବେ କଲେ ଯାତ୍ରା ଦ୍ୱାରକାଭିମୂଖେ,

ହୋଇଥିଲା ସୁସଜ୍ଜିତ ଶୂରସ୍ମତି ସୌଧ ସୌଧ ୨

ରାଜଯୋଗ୍ୟ ଉପଚାରେ, ରହିଲେ ସେଠାରେ

୨ - ଶୂର-କୃଷ୍ଣଙ୍କର ପିତାମହ ।

 

ଦୁର୍ଯ୍ୟୋଧନ ରାୟେ ସ୍ୱୀୟ ପାରିଷଦ ସହ,

ରହିଲେ ଅପର ସର୍ବେ ମାରୀଷା ମନ୍ଦିରେ ୩

ପ୍ରଭାତେ ବିବାହଲଗ୍ନ, ରହିଲେ ସକଳେ

ସମତ୍ସୁକେ ପ୍ରଭାତର ଶୁଭ ପ୍ରତୀକ୍ଷାରେ ।

୩ – ମାରିଷା-କୃଷ୍ଣଙ୍କର ପିତାମହୀ ।

 

ଦଶମ ସର୍ଗ

ପ୍ରଭାତିଲା ତମସ୍ୱିନୀ, ବିଶ୍ୱମ୍ଳାନଶୋଭା

ହେଲା ପୁଣି ପ୍ରତିଭାତ, ଚାହିଁଲା ପ୍ରକୃତି

ଏକଚକ୍ଷୁଷ୍ମତୀ, ଫେଡ଼ି ଉଷା ନେତ୍ରପଟ

ପଙ୍କଜ-ପାଟଳ, ନୀଳ ଅମ୍ବରପ୍ରଦେଶେ

 

ଜଳିଲା ଅନଳଡୋଳା-ରବି ଧକଧକେ ।

ବୋଳି ହୋଇ ବିହଙ୍ଗମେ ସ୍ୱର୍ଣ୍ଣ ସୌରକର,

ବାଇଲେ ଟଙ୍କାରି ହର୍ଷେ କଣ୍ଠ-ବୀଣାତାର

ମଧୁରେ, ରୁଚିରେ, ଶ୍ରୁତି-ସୁଖାୟନ ତାନେ,

 

ଭାଙ୍ଗିଗଲା ପ୍ରକୃତିର ବିରାଟ ମୌନତା,

ତୁଟିଗଲା ଘୋର ନିଦ୍ରା, ଉଠି ସେ ସତ୍ୱର

ହେଲା ସଂଧାବିତ-କର୍ମ-ଜୀବନ ମାର୍ଗରେ-

ନବପ୍ରାଣେ, ନବଦଳେ, ନବୀନ ଉତ୍ସାହେ ।

 

କର୍ମରୂପୀ ପୁରୋଧାର ପବିତ୍ର ଆହ୍ୱାନେ

ରୁଣ୍ଡ ହୋଇ କର୍ମ ଯୋଗେ ପ୍ରାଣି-ଯଜମାନେ,

ଅର୍ପିଲେ ଆହୂତି ସର୍ବେ ଶକ୍ତି ଅନୁରୂପେ,

ଉତ୍‌ଶିଖେ ଜଳିଲା ଅଗ୍ନି କର୍ମଯଜ୍ଞକୁଣ୍ଡେ ।

 

ସାରି ପ୍ରାତଃକୃତ୍ୟ ପାର୍ଥ-ମହାମତିମନ୍ତ,

ଉପବିଷ୍ଟ ସ୍ୱର୍ଣ୍ଣାସନେ ବିନୋଦପ୍ରକୋଷ୍ଠେ

ଏକାଳେ ବାହୁଡ଼ି ଦୂତ ଇନ୍ଦ୍ରପ୍ରସ୍ଥପୁରୁ

ଅର୍ପିଲା ଛାମୁରେ ଆଣି ଉତ୍ତର ଚିଟାଉ ।

 

ଦେଖି ପତ୍ରପୃଷ୍ଠେ ବୀର, ଜ୍ୟେଷ୍ଠାଗ୍ରଜଙ୍କର

ନାମାଙ୍କିତ ମୁଦ୍ରା, ନେଇ ଉଠାଇ ତା ଖରେ,

ଲଗାଇ ମସ୍ତକେ ଅଗ୍ରେ, ମୁଦେ ଫେଇ ମୁଦ,

ପଢ଼ିଲେ ନିବିଷ୍ଟଚିତ୍ତେ, ପରମ ଆଗ୍ରହେ,

 

ଦେବତା ପ୍ରସାଦ ଫୁଲ ଲଭି ଭକ୍ତ ଯଥା,

ଛୁଆଇଁ ମଥାରେ ପଛେ ଦେଖେ ତା ସୌନ୍ଦର୍ଯ୍ୟ ।

ଥିଲା ସେହି ପ୍ରତିଲେଖେ ଲିଖିତ ଏସନ-

‘‘ପ୍ରାଣାଧିକ ସ୍ନେହାନୁଜ ! ଘେନ ଆଶୀର୍ବାଦ,

 

ଦଶ ବର୍ଷେ ପାଇଁ ତବ କୁଶଳ ସମ୍ବାଦ

ଲଭିଲି ମରମ ପ୍ରୀତି, ହେଲି ମୁଁ ଆଶ୍ୱସ୍ତ ।’’

ଏଠାରେ କୁଶଳ ସର୍ବ, ଜାଣିବ ବାସ୍ତବେ,

କେବଳ ଦୁଃଖିତ ସର୍ବେ ତୁମ୍ଭ ଅଦର୍ଶନେ ।

 

ତୁମ୍ଭର ସୁଭଦ୍ରାଲାଭ ଶୁଣିବା ସମୟୁ

କି ପୂଣ୍ୟ ଆନନ୍ଦେ ସିକ୍ତ ହେଉଛି ଏ ଆତ୍ମା,

ନାହିଁ ତାହା ବର୍ଣ୍ଣିବାକୁ ଉପଯୁକ୍ତ ଭାଷା,

ଏତେକାଳେ ପାଣ୍ଡୁକୁଳେ ମିଳିଲା ସୌଭାଗ୍ୟେ

 

ଯଥାଯୋଗ୍ୟ ଗୁଣବତୀ, ପୂଣ୍ୟବତୀ ବଧୂ,

କରୁଛି ମୁଁ ଆଶୀର୍ବାଦ, ଦମ୍ପତି ବେନିଏ

ହୋଇ ଦୀର୍ଘଜୀବୀ କର ସ୍ୱଧର୍ମ ସାଧନ ।

ପଚାରିଛ ମତ, କୃଷ୍ଣମତେ କେ ଅମତ ?

 

ମହାସତୀ ସତ୍ୟଭାମା ପ୍ରକୃତିରୂପିଣୀ,

ଶ୍ରୀକୃଷ୍ଣ ପୁରୁଷରୂପି, ପ୍ରକୃତି ପୁରୁଷେ

ନାହିଁ ଭେଦାଭେଦ ଭାଇ, ସେ ଉଭୟେ ଏକ ।

ଯାହା ସତ୍ୟଭାମା ଆଜ୍ଞା, ତାହା କୃଷ୍ଣ ଆଜ୍ଞା,

 

କେ ଲଙ୍ଘିବ କୃଷ୍ଣାଦେଶ ବିଶ୍ୱ ଚରାଚରେ,

ପ୍ରଦାନନ୍ତି ଯା ଆଦେଶେ ଜ୍ୟୋତିଷ୍କେ ଆଲୋକ,

ବିତରେ ଜଗତପ୍ରାଣ ପ୍ରାଣ ଅବିରାମେ,

ବେଳାବଦ୍ଧ ମହାବ୍‌ଧିର ଅଜେୟ କ୍ଷମତା,

 

ସେ ଅନନ୍ତଭୂମା ଦେବ କୃଷ୍ଣଙ୍କ ଆଦେଶ

ସକଳର ଶିରୋଧାର୍ଯ୍ୟ, ମଙ୍ଗଳ ନିଦାନ ।

ପାଣ୍ଡବଙ୍କ ଆଶା କୃଷ୍ଣ-ପାଣ୍ଡବଜୀବନ,

ତାଙ୍କ ଆଜ୍ଞା ପାଣ୍ଡବଙ୍କ ପକ୍ଷେ ଇଷ୍ଟବର,

 

ନ ହେଜିବ ତାଙ୍କ ଆଜ୍ଞା ଭ୍ରମେ ତୁମ୍ଭେ କେବେ,

ଯହିଁ କୃଷ୍ଣ, ତହିଁ ଧର୍ମ, ସତ୍ୟ, ଶୁଭ, ଜୟ,

କି ଦ୍ୱିଧା ତାହାର ?-କୃଷ୍ଣ ସହାୟ ଯାହାର,

ଯଥା କୃଷ୍ଣ ଆଜ୍ଞା, ତଥା କର ତୁମ୍ଭେ କାର୍ଯ୍ୟ ।

 

କିନ୍ତୁ ଭାଇ, ଏ କାର୍ଯ୍ୟରେ ମୂଷଳୀ ବିପକ୍ଷ,

ଘଟିପାରେ ତାଙ୍କ ସହ ସମର ତୁମ୍ଭର,

ଥିବ ସଦା ଅବହିତ, ପୁଣ୍ୟ ଯଦୁରକ୍ତେ

ନ ହୁଏ ଯହିଁରେ ତିଳେ ଧରଣୀ ରଞ୍ଜିତ,

 

କରିବ ସେଥିର ତୁମ୍ଭେ ବିହିତ ବ୍ୟବସ୍ଥା ।

ବୀର ତୁମ୍ଭେ, ବୀରଶାସ୍ତ୍ର ସୁବିଦିତ ତବ,

କି କହିବି ଅଧିକ ମୁଁ ବଳେ କ୍ଷମାମୂଲ୍ୟ

ପ୍ରତିହିଂସାଠାରୁ କୋଟି ଅର୍ବୁଦ ଗୁଣରେ ।

 

କର୍କଶ ବୀରର ହୃଦ-ବହିରାବରଣ,

ଅନ୍ତର ସରସ ମାତ୍ର ମଧୁର କୋମଳ,

ସୁପକ୍ୱ ମାଲୁର ଯଥା କିମ୍ବା ତାଳମଞ୍ଜି,

ରଖିବ ମୋ ଉପଦେଶ ସତତ ସ୍ମରଣ ।

 

ସାଧନ୍ତୁ ମଙ୍ଗଳମୟ ମଙ୍ଗଳ ତୁମ୍ଭର,

ଇତି, ଯୁଧିଷ୍ଠିର, ତବ ଚିର ଶୁଭାକାଙ୍କ୍ଷୀ ।’’

ପତ୍ର ପାଠ ପରେ ଫୁଲି ଉଠିଲା ପାର୍ଥର

ବୀରହିଆ, ମହାନନ୍ଦେ, ଫୁଲିଲାକ ବକ୍ଷ-

 

ଶୌର୍ଯ୍ୟର ବିଳାସକ୍ଷେତ୍ର, ବୀରର ସ୍ୱଭାବ-

ଶୌର୍ଯ୍ୟ ପ୍ରଦର୍ଶନ ସ୍ଥଳ ଲଭିଲେ ଫୁଲେ ସେ ।

ଉତ୍ସାହର ଜ୍ୟୋତିରେଖା ଖେଳିଲା ବଦନେ,

ଚିନ୍ତାର ସହସ୍ର ଢେଉ ହେଲା ପ୍ରତିହତ

 

ହୃଦ-ସିନ୍ଧୁ ତଟେ, ତହୁଁ କିଛିକ୍ଷଣ ପରେ

କି ଅନନ୍ତ ଅପୂର୍ଣ୍ଣତା ଆଣିଲ ତା ପ୍ରାଣେ

କି ଅତୃପ୍ତ ମହାତୃଷା, ଉଠି ଖରେ ବୀର

ସୁନ୍ଦର ମୃଗୟୁ ବେଶେ ହେଲେ ସୁସଜ୍ଜିତ ।

 

ବନପଶୁ ବଧ ଆଶେ ନୁହେଁ ଏ ମୃଗୟା,

ପ୍ରେମର ପାରିଧି ଏହା, ବାନ୍ଧି ପ୍ରେମ ପାଶେ

ସୁଭଦ୍ରା ସୁବର୍ଣ୍ଣ ମୃଗୀ ଆଣିବେ ବାସବି ।

ଶୋଭିଲା ରଥୀନ୍ଦ୍ର ତନୁ କାଞ୍ଚନ କଞ୍ଚୁକେ,

 

କଟୀରେ କୃପାଣ, ପୃଷ୍ଠେ ସୁଚାରୁ ତୁଣୀର,

ଧାତବ ଶିରସ୍ଥେ ଶିର ଦିଶିଲା ଉଜ୍ଜ୍ୱଳ ।

ଗୋଧା, ଅଙ୍ଗୁଚିତ୍ର ଆଦି ବୀର ଆଭରଣେ

ହୋଇ ଅଳଙ୍କୃତ ବୀର, ସ୍କନ୍ଧେ ବହି ଧନୁ,

 

ହେଲେ ବହିର୍ଗତ ଧୀରେ ଆବାସ ପ୍ରାସାଦୁ,

ରଖିଥିଲା ଦ୍ୱାରେ ରଥ ଦାରୁକ ସାରଥି,

ବସି ତହିଁ ବିଜେ କଲେ ରୈବତକ ମୁଖେ,

କିଛିକ୍ଷଣେ ଉପସ୍ଥିତ ଦେବୀପୀଠପାଶେ ।

 

ସୁଭଦ୍ରାର ଆଗମନ ପ୍ରତୀକ୍ଷାରେ ତହିଁ

ରହିଲେ ନୀରବ ହର୍ଷେ ଅନ୍ତରାଳେ ଚାହିଁ ।

ଚାହିଁଥାଏ ପ୍ରାତେ ଯଥା ପୁଷ୍ପବନ୍ଧୁ ଅଳି

ପୁଷ୍ପର ଉନ୍ମେଷେ, ବ୍ୟସ୍ତ, ବ୍ୟାକୁଳ ନୟନେ

 

ଏ ସମୟେ ବିଜେ ହେଲେ ବସୁଦେବଜେମା

ସଙ୍ଗିନୀଗହଣେ ଦୂରେ, ଦେବୀପୂଜା ଅର୍ଥେ,

ସର୍ବେ ପୀତଦୁକୁଳିନୀ, କୁସୁମ ଭୂଷଣା,

ଆନିତମ୍ବ ବିଲମ୍ବିତ କୁଞ୍ଚିତ କୁନ୍ତଳ,

 

ଶୋହେ ଅନାବୃତ ଶିରେ କୁସୁମପରିଧି-

ଶବଳିତ ଚାରୁକାନ୍ତ କୁସୁମେ ରଚିତ ।

ବାହୁରେ କୁସୁମ ତାଡ଼, ବାଜୁ, ବାଜୁବନ୍ଧ,

( ହୋଇଛି କୁସୁମକଢ଼ି ରତ୍ନଭଣ୍ଡି ଯାର )

 

ମଣିବନ୍ଧେ କୁସୁମର କଙ୍କଣ, ବଳୟ,

ଉର୍ଦ୍ଧ୍ୱେ ତାର ବିଜଡ଼ିତ ଚୂଡ଼ୀ-ପୁଷ୍ପଖରୀ,

ପ୍ରତି ଅଙ୍ଗୁଳିରେ ଶୋଭେ ସୁମନମୁଦ୍ରିକା ।

ଶ୍ରୁତିଯୁଗେ ଝଟଝଟ କୁସୁମ-ତାଟଙ୍କ,

 

ନାସାରେ କୁସୁମଦଣ୍ଡୀ, କୁସୁମବସଣୀ,

ବକ୍ଷରେ କୁସୁମହାର-ଚାରୁକାରୁବନ୍ତ ।

ସୂକ୍ଷ୍ମ କଟୀତଟେ ଲମ୍ବ କୁସୁମମେଖଳା

ପ୍ରକାଶେ ଅତୁଳ ଶୋଭା, ତଥା ପଦଯୁଗେ

 

ବିରାଜେ କୁସୁମଖଚୀ ପଞ୍ଚମ, ପାହୁଡ଼ ।

ଚାଲିଛନ୍ତି ହର୍ଷେ ସର୍ବେ ମୃଦୁପଦକ୍ଷେପେ,

ମଧ୍ୟରେ ସୁଭଦ୍ରା, ଯଥା ଅମୃତଆଧାର,

ସଚଳ କୁସୁମ-ସିନ୍ଧୁ ମନ୍ଥନସମ୍ଭୁତେ ।

 

ପ୍ରବେଶିଲେ ଯାଇ ସର୍ବେ ଦେବୀଦେବାଳୟେ

କଲେ ଅବସ୍ଥିତ ଦୂରେ ପ୍ରହରିନିକର,

ଉଠିଲା ମଙ୍ଗଳଧ୍ୱନି ମନ୍ଦିର ମଧ୍ୟରୁ,

ଶଙ୍ଖ, ଘଣ୍ଟା, ତୁରୀ, ଭେରୀ, ବାଦ୍ୟଚହଳରେ

 

ଉଠିଲୋକ ପ୍ରତିନାଦି ସେ ଦେବୀଦେଉଳ,

ମିଶି ତହିଁ ହୁଳାହୁଳି ସ୍ୱରର ତରଙ୍ଗ,

( ଲଳନା-ଲଳିତଜିହ୍ନା କମ୍ପନସଞ୍ଜାତ )

କଲା ତାକୁ ମଧୁମୟ, ପ୍ରତେ ହେଲା ଯଥା-

 

ବହୁଛି କି ଶତପାଶେ କୁଳୁକୁଳୁ ସ୍ୱରେ

ମଧୁମୟୀ ମନ୍ଦାକିନୀ, ମଧୁରଗତିରେ ।

ଦୟାର ଦଧୀତି ପ୍ରାୟ ଧୂପ, ପୋଡ଼ି ମରି

ନିଜେ ଆନେ ପ୍ରଦାନିଲା ସୁସ୍ନିଗ୍‌ଧ ସୁରଭି

,

ମହୁତର ଚିର ଧର୍ମ-ନିଜେ ସହି କ୍ଳେଶ,

ସାଧିଯାନ୍ତି ଅପରର ମହା ଉପକାର ।

ପୂଜାଶେଷେ ପୁଷ୍ପାଞ୍ଜଳି ଅର୍ପି ଦେବୀପଦେ,

ବାହାରିଲା ଦେବାଳୟୁ ପୂଜିକା ସୁଭଦ୍ରା-

 

ଅସଂଖ୍ୟ ସଜନୀମେତେ, ହେରି ଏହା ପାର୍ଥ,

ଓହ୍ଲାଇ ରଥରୁ ଧୀର ଉଦାସଗତିରେ

ରକ୍ଷିବେଷ୍ଟୀ ସଖୀବ୍ୟୁହ ଭେଦି ଅବହେଳେ,

ହାତ ଧରି ସୁଭଦ୍ରାର ଘେନିଗଲେ ତହୁଁ,

 

ଘେନିଯାଏ ଯଥା ଉଗ୍ର ତେଜସ୍ୱୀ କେଶରୀ

ସ୍ୱପ୍ରିୟା କେଶରିଣୀକୁ ବାସଗୁମ୍ଫାମୁଖେ,

ଭେଦି ଆଖଡ଼କେ * ଅରି କିରାତପରିଧି ।

ସଖୀଏ ନିସ୍ତବ୍‌ଧଭାବେ ରହିଲେ ଅନାଇ-

*ଅକ୍ଳେଶରେ

 

ତ୍ରସ୍ତ କୁରଙ୍ଗୀର ବ୍ୟସ୍ତ ବ୍ୟାକୁଳ ଦୃଷ୍ଟିରେ ।

ଉଠିଲେ ସ୍ୟନ୍ଦନେ ପାର୍ଥ ସୁଭଦ୍ରାକୁ ଘେନି,

ଆସିଲା ବହୁଳ ହୋଇ ଲଜ୍ଜାପାଣ୍ଡୁରିମା

ସୁଭଦ୍ରାର ଗଣ୍ଡସ୍ଥଳେ-ଅନ୍ତରେ ଆନନ୍ଦ,

 

ଚାହିଁଲା ସୁଭଦ୍ରା ପାର୍ଥେ, ପାର୍ଥ ପ୍ରିୟା ମୁଖେ ।

ଦୃଷ୍ଟିରୁ ଝରିଲା ସୁଧା, ପ୍ରୀତି, ଅନୁରାଗ,

କି କହିଲା ପରସ୍ପରେ ଉଭୟର ଚକ୍ଷୁ,

ଅନ୍ୟର ଅବୋଧ୍ୟ ତାହା ହେଲେହେଁ ସର୍ବଥା,

 

ବୁଝିଲେ ସେ ବେନି, ବୀର ଭାଷିଲେ ସୋହାଗେ

‘‘ଘେନି ତୁମ୍ଭେ ପ୍ରାଣେଶ୍ୱରି, ନିଖିଳ ବିଶ୍ୱର

ସକଳ ଐଶ୍ୱର୍ଯ୍ୟ, ପୁଣି ସକଳ ସୌନ୍ଦର୍ଯ୍ୟ,

ପ୍ରବେଶିଲ ହୃଦେ ମୋର ଆଜିଠାରୁ ଦେବି !

 

ଜୀବନସଙ୍ଗିନୀ ମୋର ତୁମ୍ଭେ ଏ ଜନମେ’’

ଉତ୍ତରିଲେ ଭଦ୍ରା-ମୃଦୁ ବିନୟବଚନେ-

‘‘ପ୍ରାଣେଶ୍ୱର ! ପତି ଏକା ସତୀର ଏ ଭବେ

ସକଳ ଐଶ୍ୱର୍ଯ୍ୟ, ଶକ୍ତି, ସକଳ ସୌନ୍ଦର୍ଯ୍ୟ,

 

ଜନ୍ମେ ଜନ୍ମେ ଲଭେ ଯେହ୍ନେ ପ୍ରାଣପତିରୂପେ

ତୁମ୍ଭକୁ ହେ ପ୍ରିୟତମ, ଏ ଭିକ୍ଷା ଶ୍ରୀପଦେ,

ପଦପ୍ରାନ୍ତେ ଅର୍ପି ଠାବ ଏ ଦାସୀକି ତବ,

ପ୍ରକାଶିଲ ଯେ କରୁଣା, ସ୍ୱପ୍ନେ ଆଶାତୀତ,

 

କି ଦେଇ ଶୁଝିବି ତାହା କି ଅଛି ମୋହର,

ଯାହା ଥିଲା ଶ୍ରୀଚରଣେ ଅର୍ପିଛି ତା ପୂର୍ବୁ’’

ଏ ସମୟେ ପ୍ରହରୀଏ କଲେ କୋଳାହଳ

ଦୂରେ ଥାଇ, ପଶିବାକୁ ନ ଭରସି ପାଶେ,

 

ମିଳିଲା ଅନଳ ସହ ସ୍ୱାହା ତେଜସ୍ୱିନୀ

ବଜ୍ର ସଙ୍ଗେ ବିଦ୍ୟୁଲ୍ଲତା-ଉଗ୍ରପାବକିନୀ,

ଶୌର୍ଯ୍ୟରେ ମିଶିଲା ଶକ୍ତି, ଚେଷ୍ଟା ଉତ୍ସାହରେ

କିଏ ଏଡ଼େ ଦୁଃସାହସୀ ? ପଶିବ ତା ପାଶେ ।

 

କହିଲା ନଗରପାଳେ ଦୂତ ଏ ବେଉରା,

ଧାଇଁ ଯାଇ ଉର୍ଦ୍ଧଶ୍ୱାସେ, ତହୁଁ ସେ ସତ୍ୱର

ସମରସଙ୍କେତ ଭେରୀ ବଜାଇଲା ଘନେ ।

ଶୁଣି ସେ ଉନ୍ମାଦ ବାଦ୍ୟ ସର୍ବଯଦୁବୀରେ,

 

ଧାଇଁଲେ ସମରସଭା ଅଭିମୁଖେ ଖରେ,

ଧାଏଁ ଗ୍ରାମଦେବୀପୀଠେ କାଳିସୀ ଯେସନ

ଦେବତା ମାଜଣା ବାଦ୍ୟ ଶୁଣି ସ୍ଫୀତଗାତ୍ରେ ।

ଥିଲା କେହି ଧନୁର୍ବେଦ ଅଧ୍ୟୟନେ ରତ,

 

କେହି ସ୍ନାନେ, କେହି ଅବା ଦେବତା ଅର୍ଚ୍ଚନେ,

କେହି କୃଷିକର୍ମେ, ଶୁଣି ସଙ୍କେତ ଭେରିକା

ଧାଇଁଲେ ସକଳେ ତେଜି ସକଳ କର୍ତ୍ତବ୍ୟ,

ଧରି ଅସ୍ତ୍ର ସୁଶାଣିତ, ସାଜି ବୀର ସାଜେ ।

 

କେରଳ ତୁମ୍ବୁଡ଼ି ଧ୍ୱନି ଶୁଣି ଅହିପତି

ରହେକି ବଲ୍ମୀକ ହର୍ମ୍ୟେ ସ୍ଥିର ହୋଇ କେବେ,

ଦଣ୍ଡକ ମଧ୍ୟରେ ରୁଣ୍ଡ ସର୍ବେ ଯଥାସ୍ଥାନେ ।

ଏକାଳେ ମିଳନ୍ତେ ରାମ, ନିବେଦିଲା ଦୂତ

 

ଯୁକ୍ତକରେ, ସବିନୟେ,ଚଞ୍ଚଳ ଭାଷାରେ-

‘‘ଘେନିଗଲା ପାର୍ଥ, ଦେବ ! ସୁଭଦ୍ରାଦେବୀଙ୍କି

ଦେବୀଦେବାଳୟ ପାଶୁ ।’’ ଶୁଣି ଏହା ରାମ

ରୁଷିଲେ ପ୍ରଚଣ୍ଡେ, କ୍ରୋଧେ ଥରିଲା ଶରୀର,

 

ଦୃଷ୍ଟିରୁ ଝରିଲା ବିଷ ଆବର ନିଃଶ୍ୱାସୁ,

ଭାଷିଲେ କଠୋର ସ୍ୱରେ ବୀର ଏ ଭାରତୀ-

‘‘ଏଡ଼େ ଦର୍ପ ପାଣ୍ଡବାର ! ଭେକ ହୋଇ ଦୁଷ୍ଟ,

ବହିଛି ଭୁଜଙ୍ଗଶିରେ ନୃତ୍ୟ ଦୁରାକାଙ୍‌କ୍ଷା,

 

କି ବୀର ପାଷଣ୍ଡ ପାର୍ଥ ଜାଣୁ ଜାଣୁ ନିଜେ

ଅର୍ପିଲା ନିଜକୁ ଶାପ, ଜୀବନ୍ତ ସର୍ପର

( ତୀବ୍ରବିଷାକର ) ଛାଇ ଉତ୍ତାରିବା ଚେଷ୍ଟା,

ନୁହେଁ ତ ସାମାନ୍ୟ କଥା, ସାମାନ୍ୟ ସାହାସ !

 

ହେଲେ ସୁଦ୍ଧା କୋଟିପ୍ରାଣ ନାହିଁ ତା ନିସ୍ତାର,

ଯାଅ ଯଦୁବୀରେ ତ୍ୱରା, ଯାଅ ହେ ସାତ୍ୟକି,

ଯାଅ ବସ୍ତ୍ର ଶାମ୍ବ, ଯାଅ ସାରଣ, ପ୍ରଦ୍ୟୁମ୍ନ,

ଅ-ଶିର କର ହେ ପାର୍ଥେ ଅସିର ଆଘାତେ ।’’

 

ସଭା ମଧ୍ୟୁ ଉଠିଲା ଏ ଉତ୍ତର ପୃଥୁଳେ-

ପୂର୍ଣ୍ଣ ମହାରଥୀ ପାର୍ଥ ରଥୀନ୍ଦ୍ର ଗୌରବ,

କୌଶଳେ, ଚାତୁର୍ଯ୍ୟେ, ବୀର୍ଯ୍ୟେ ଅଛି କିଏ ଭଲା

ବିଶ୍ୱେ ତାର ସମକକ୍ଷ, ଅପରାଜିତ ସେ,

 

ଆସନ ତାହାର କେଉଁ ଊର୍ଦ୍ଧ୍ୱ ଧ୍ରୁବଲୋକେ

ବୀର-ତ୍ରିଦିବର, ତାହା ନ ଜାଣନ୍ତି କେହି,

ତା ସହ ବରିବା ଯୁଦ୍ଧ ଅସାଧ୍ୟ ସର୍ବଥା ।

ଏକେ ତ ଅନଳଶଯେ ରାମଙ୍କର ଆତ୍ମା

 

ହେଉଥିଲା ଦଗ୍ଧ, ଦୁଜେ ଶୁଣି ଏ ଉତ୍ତର

ଭାଷିଲେ ଏସନ, ଦନ୍ତେ ସଂଘର୍ଷିଣ ଦନ୍ତ-

‘‘ଅସାଧ୍ୟ, ଏ ଶବ୍ଦ ନାହିଁ ବୀର ଅଭିଧାନେ,

ନୁହେଁ ଏହା ବିଶ୍ୱରକ୍ଷୀ କ୍ଷତ୍ରିୟର ବାଣୀ,

 

ଅତସର ଭାଷା ଏହା କିମ୍ବା ଅଧମର

ଆତ୍ମପ୍ରବୋଧନା, ତୁମ୍ଭେ ଉଚ୍ଚାରି ସେ ଶବ୍ଦ,

କଲ ସିନା କଳଙ୍କିତ ନିଜ ଜିହ୍ୱା ସହ

ପୂର୍ବପୁରୁଷର ଯଶ, ପ୍ରଧାନ୍ୟ, ଗୌରବ ।

 

ଯେଉଁ ଯଦୁବାହୁ ସଦା ଅଜେୟ ଜଗତେ,

ସତେ କି ସେ ବାହୁ ହାୟ, ଅଷାଢ଼ ହେ ଏବେ ?

ଇଚ୍ଛ କି ହେ ବୀରେ ତୁମ୍ଭେ, କାଟିବ କପାଳେ

ଅରି-ପଦରଜେ ଚିତା-ଦାସତ୍ୱ ବ୍ୟଞ୍ଜିକା,

 

କରିବ ଅଶ୍ରୁରେ ଶୋକ, ମାତ୍ର ବୀରଶୋକ

ହୁଏ କି ଅଶ୍ରୁରେ ଶାନ୍ତ,ଶମେ ସେ ଅସିରେ,

ବୀରପକ୍ଷେ ମୃତ୍ୟୁ ନୁହେଁ ଦୁଃଖାବହ କେବେ,

ବଞ୍ଚିବା ହିଁ ଦୁଃଖାବହ ମୁଣ୍ଡାଇ ଲାଞ୍ଛନା ।

 

ବୀରରକ୍ତ ସ୍ୱଜାତିର ଉପାଦେୟ ସାର,

କରେ ସେ ଜାତୀୟ କ୍ଷେତ୍ର ପବିତ୍ର, ଉର୍ବର,

ବୀରମାତା ଦୁଗ୍‌ଧପାନ କରି ଯେଉଁ ବୀର

ସମରବିମୁଖ, ଘୃଣ୍ୟ ଆସନ ତାହାର

 

ରମଣୀ ପଶ୍ଚାତେ, ଆପେ ରମଣୀ ସେ ନିଶ୍ଚେ,

ରମଣୀ ଭୂଷଣ ତାର ବୀରପ୍ରହରଣ ।

ତୁମ୍ଭର ଏ ଭୀରୁତାର ପୂତି ଦୁର୍ଗନ୍ଧରେ

ସଙ୍କୋଚିବେ ନାସା ତବ ଭାବୀ ବଂଶଧରେ,

 

କିପାଁ ବହୁ ଶରାଶନ ମହେଷ୍ୱାସରୂପେ,

ପ୍ରାବୃଟେ ଇନ୍ଧନ ପାଇଁ ରଖ ତା ସାଇତି

ଘରେ ସଙ୍ଗା ମଧ୍ୟେ ନେଇ, ଅଥବା ଭାଡ଼ିରେ ।

ଲୁଚ ଯାଇ ତେବେ ସର୍ବେ ଗମ୍ଭୀରୀ କୋଣରେ,

 

ଏକାକୀ କରିବି ରଣ, ବଧିବି ଅର୍ଜ୍ଜୁନେ,

ହୁଏ ଯଦି ତ୍ରିଜଗତ ସହାୟ ତାହାର,

ତଥାପି କେହି ତା ଶିର ନ ପାରିବେ ରଖି,

ଅରାମ ବା ଅପାର୍ଥ ଏ ଧରା ହେବ ଆଜି,

 

ସତ୍ୟ ଏ ପ୍ରତିଜ୍ଞା ମୋର, ପାଇବି ନିଶ୍ଚୟ ।’’

ରାମଙ୍କର ବଜ୍ରଦାହୀ ଏ କଟୂ ଭର୍ତ୍ସନା

ନ ପାରିଣ ଜୀର୍ଣ୍ଣ କରି ଯଦୂବୀର ସର୍ବେ,

ବାହାରିଲେ ଯୁଝିବାକୁ ଅସ୍ତ୍ରଶସ୍ତ୍ର ଧରି ।

 

ଧାଇଁଲା ଅସଂଖ୍ୟ ରଥ ଘର୍ଘର ନିର୍ଘୋଷେ,

ସମୁଦ୍ୱାରି କାଳାନଳ, ଧାଇଁଲେ ବାରଣେ

ଦୀର୍ଘଦନ୍ତ, ଆସ୍ଫାଳନି ସୁପ୍ରଚଣ୍ଡ ଶୁଣ୍ଢ,

ଧାଇଁଲେ ସଦର୍ପେ ବାଜିରାଜି ଦ୍ରୁତପଦେ,

 

ଧାଇଁଲେ ପାଇକେ ଧରି ଛେଲ, ଚକ୍ର, କୁନ୍ତ,

ଧୂଳିପଟଳରେ ହେଲା ଅଦୃଶ୍ୟ ଆକାଶ ।

ବିଜେ ମହାରଥିବୃନ୍ଦ ରଥେ, ଅଶ୍ୱେ, ଗଜେ-

ଅଦ୍ୱିତୀୟ ଅତିରଥ ପାର୍ଥେ ବିଜୟାର୍ଥେ,

 

ଧାଇଁଲା ସାତ୍ୟକି ଖରେ, ଅରାତିଘାତକୀ,

ଗର୍ଜି ମହାରୋଷେ, ମୁହୁଃ ଟଙ୍କାରି କାର୍ମୁକ ।

ଧାଇଁଲା ଅକ୍ରୁର, କ୍ରୁର ଅରି ପ୍ରତି ସଦା,

ଧାଇଁଲା ମନ୍ମଥ ବୀର-ବିପକ୍ଷପ୍ରମଥୀ,

 

ରୁଷିଲା ସୁବୀର ଶାମ୍ବ-ଜାମ୍ବବତୀସୂତ,

( ପାଇଲେ ସମର ଯାର ପରମ ଆନନ୍ଦ )

ଧାଇଁଲା କୁଞ୍ଜରପୃଷ୍ଠେ ସେ ବୀରକୁଞ୍ଜର,

କଲା ସେ ପ୍ରତିଜ୍ଞା ବହୁ, କହିଲା ଗରଜି,

 

କେ ହରିବ ଯଦୁ-ଯଶ, ଥାଉଁ ଶ୍ୱାସ ପ୍ରାଣେ,

ମୂହୁର୍ତ୍ତେ ତା ଭାଗ୍ୟଲିପି ଦେବି ବଦଳାଇ ।

ହେଲେ ସଂଧାବିତ ଶେଷେ ନାରାୟଣୀ ସେନା,

ଲକ୍ଷ ଲକ୍ଷ କୋଟି, ରଣେ ଦୁର୍ବାର ସର୍ବଥା

 

ପାରନ୍ତି ସେ ବଜ୍ରେ ଗିଳି, ଦ୍ୟୁଲୋକେ ଆକର୍ଷି,

ଜଣେ ଏକା ଇଚ୍ଛା କଲେ ଜିଣିବ ବ୍ରହ୍ମାଣ୍ଡ ।

ଦେଖି ପାର୍ଥ ଯଦୁସୈନ୍ୟ ପଶ୍ଚାତ୍‌ପ୍ରଧାବିତ;

କହିଲେ ଦାରୁକେ, ‘‘ରଥ ଫେରାଅ ସତ୍ୱର,’’

 

ନିବେଦିଲା ଯୁକ୍ତକରେ କେଶବ ସାରଥି-

‘‘ବୀରବର, ପ୍ରତ୍ୟାହାର କର ଏ ଆଦେଶ,

କୃଷ୍ଣରଥେ ବସି ତୁମ୍ଭେ କରିବ ସମର

ମୋ ପ୍ରଭୁଙ୍କ ପୁତ୍ର, ପୌତ୍ର, ଜାତିଗଣ ସହ,

 

ଏ କାର୍ଯ୍ୟ ସାରଥ୍ୟ ତବ ନ ପାରିବି କରି । ’’

ଭାଷିଲେ ଅର୍ଜ୍ଜୁନ ହସି, ଛାଡ଼ି ଅଶ୍ୱରଜ୍ଜୁ,

‘‘ପଦେ ଧରି ଖଳୀନ ମୁଁ ପ୍ରବେଶିବି ରଣେ ।’’

ଉତ୍ତରିଲା ରଥବାହୁ, ‘‘ଥିଲେ ମୁଁ ଏଭାବେ

 

ହେବ ବୀରମଣୀ, ମୋର ଦୁର୍ନାମ ରଟନା,

ଜାଣ ତ ରାମଙ୍କ କଥା, କହିବେ ସେ ନିଶ୍ଚେ-

ଏ କାର୍ଯ୍ୟରେ ଦାରୁକର ଅଛି ସହାୟତା,

ଆଗେ ମୋତେ ରଥସ୍ତମ୍ଭେ କରିଣ ବନ୍ଧନ

 

ପଛେ କର ରଣ, ମୋର ନାହିଁକି ଆପତ୍ତି ।’’

ଭାଷିଲେ କିରାଟୀ, ‘‘ତୁମ୍ଭେ କୃଷ୍ଣଙ୍କ ସାରଥି,

ସର୍ବଥା ସଂପୂଜ୍ୟ ମୋର, ନ ପାରିବି ପାଳି

ତବ ଏହି ଅନୁରୋଧ, କ୍ଷମିବ ଏ ଦୀନେ ।’’

 

କହିଲା ଦାରୁକ, ‘‘ବୀର, କି ଦୋଷ ତୁମ୍ଭର,

ସ୍ୱେଚ୍ଛାରେ ଲଭୁଛି ମୁହିଁ ଏ ବ୍ୟାଜବନ୍ଧନ,

ହେବ ତୁମ୍ଭେ ଉପଲକ୍ଷ, ଏତିକି ମାଗୁଣି ।’’

ଶୁଣି ଏହା ପାର୍ଥ, ବାନ୍ଧି ଦାରୁକେ ପାଶାସ୍ତ୍ରେ

 

ରଥସ୍ତମ୍ଭେ, ଧରି ପଦେ ଅଶ୍ୱକଡ଼ିଆଳି,

ଚଳାଇଲେ ରହୁବର ପ୍ରଭଞ୍ଜନ ବେଗେ ।

ଡାକିଲେ ପଛରୁ ପାର୍ଥେ ଯଦୁସୈନ୍ୟେ ଉଚ୍ଚେ-

ନ ପଳାଅ ବୀରବର, ଚୋରବର ପଦେ

 

କିମ୍ପା ଏଡ଼େ ଶ୍ରଦ୍ଧା ତବ, ବାହୁଡ଼ି ସତ୍ୱର,

ମରଣ ମୁହୂର୍ତ୍ତ ତବ ସନ୍ନିକଟବର୍ତ୍ତୀ ।

ଏହି ପରା ଦୀକ୍ଷା ତବ, ସନ୍ନ୍ୟାସୀକଳଙ୍କ,

ଯେଉଁ ପାତ୍ରେ ଭୁଞ୍ଜ ଅନ୍ନ, ଭାଙ୍ଗ ସେହି ପାତ୍ର,

 

ଧିକ ତୋ ସାଧୁତାଭାନ, ପାମର, ବର୍ବର,

ଭାଙ୍ଗିଯିବ ଆଜି ତୋର ଭଣ୍ଡତା, ଚାତୁରୀ ।

ମର୍ମହଣା ବ୍ୟଙ୍ଗ ବାଣୀ ଶୁଣି ଧନଞ୍ଜୟ

ଗର୍ଜିଲେ ପ୍ରଚଣ୍ଡ କ୍ରୋଧେ, ଗରଜେ ଯେସନ

 

ନବୀନ ନୀରଦବର ପ୍ରଥମ ଆଷାଢ଼େ,

ବଜ୍ରନାଦେ ସିଂହ ସିନା ଅର୍ପେ ପ୍ରତିନାଦ;

ମାତ୍ର ଲୁଚେ ଭୀରୁ ଫେରୁ ସଭୟେ ଗହ୍ୱରେ ।

ଟଙ୍କାରିଲେ ଧନୁ ବୀର, ଫେରାଇଲେ ରଥ

 

ପ୍ରତି ଧମନୀରେ ବୀର୍ଯ୍ୟ ଉଠିଲା ଉଛୁଳି,

ବଢ଼ିଗଲା ବହୁଗୁଣ ପରାକ୍ରମ ଖରେ,

ଗର୍ଜିଲେ ପର୍ଜନ୍ୟ ଯଥା ସେ ଶୁରଶାର୍ଦ୍ଦୂଳ,

ଗର୍ଜିଲା ସେ ମହାଧନୁ, ଘନ ଆକର୍ଷଣେ,

 

ଗର୍ଜିଲା ସ୍ୟନ୍ଦନବର ବିଭୀଷଣ ଶବ୍ଦେ,

ଏକକାଳେ ହେଲା ଯେହ୍ନେ କୋଟିବଜ୍ରନାଦ ।

ପତିଙ୍କି ସାରଥୀ, ରଥୀ, ବେନିକାର୍ଯ୍ୟେ ରତ

ନିରେଖି ସୁଭଦ୍ରା, ଜାଣି ଅସୁବିଧା ତାଙ୍କ,

 

ଉଠି ଖରେ ଅଶ୍ୱରଜ୍ଜୁ ଧରି ପୁଷ୍ପକରେ,

ବସି ପତି-ପଦପ୍ରାନ୍ତେ ସାରଥୀ ଆସନେ-

ତୁଳସୀମଞ୍ଜରୀ ଯଥା ଦେବ ପଦତଳେ,

ଚଳାଇଲେ ଚକ୍ରପାଦେ ଅପୂର୍ବ କୌଶଳେ ।

 

ବଜାଇଲେ ଶଙ୍ଖ ପାର୍ଥ ଗମ୍ଭୀରେ, ସଘନେ,

ଶୁଣି ସେହି ଶକ୍ତିଶୋଷୀ ରୁଦ୍ର ଶଙ୍ଖସ୍ୱନ

ଗଲା ଅଧେ ବଳ ତ୍ରୁଟି ଅରାତିଶରୀରୁ ।

କହିଲେ ହୁଙ୍କାରି ବୀର,‘‘କେଉଁ ଫଳଲାଭ

 

ବାତୁଳ-ବାଚାଲ୍ୟବ୍ୟଞ୍ଜୀ ବାକ୍ୟ ଆସ୍ଫାଳନେ,

ଅଛି ଯାର ଶକ୍ତି, ବେଗେ ହୁଅ ଅଗ୍ରସର

ଗମନେ କାହାର ଇଚ୍ଛା ଶମନ ଭବନେ,

ଆସ ତ୍ୱରା, ଆସ ଆସ, ନ ସହେ ବିଳମ୍ବ,

 

ଶାରଦ-ନୀରଦ ପ୍ରାୟ ଶୂନ୍ୟାୟିତ ଗର୍ଭ

କିମ୍ପା ମର ବ୍ୟର୍ଥ ଦର୍ପେ, ଗର୍ଜନେ, ତର୍ଜନେ !’’

ଲାଗିଲା ତୁମୁଳ ଯୁଦ୍ଧ, ବରଷିଲେ ବାଣ

ଶ୍ରାବଣର ବୃଷ୍ଟିଧାରା ପ୍ରାୟ ଯଦୂବୀରେ

 

ଅର୍ଜ୍ଜୁନ ଉପରେ, ତହୁଁ ସେ ପରମେଷ୍ୱାସ

ବାଟି ଅସ୍ତ୍ର ପ୍ରତି ଅସ୍ତ୍ରେ, ଖଣ୍ଡ ଖଣ୍ଡ କରି,

ପେଷିଲେ ବିପକ୍ଷ ପକ୍ଷେ ସଂଖ୍ୟାତୀତ ଶର,

ଧାଇଁଲା ସେ ବାଣାବଳୀ ବହ୍ନି ଫଣୀ ପ୍ରାୟ

 

ମନୋବେଗେ, ଧାଏଁ ଯଥା ଆମ୍ଭର ପ୍ରଦେଶେ

ହାବେଳୀଆବଳୀ, ଅଗ୍ନି ସଂଯୋଗ ସମୟେ

ବାଜି ବୃକ୍ଷେ, ସନସନ ନିସ୍ୱନେ ଗରଜି ।

କାହାର କାଟିରେ ଶର, ଶରାସନ କାର,

 

ଧାତୁମୟ ବା ଉଷ୍ଣୀଷେ ଯାନ୍ତେ ଶର ଗଳି

ଛଇଛାଡ଼େ, ଗଲା ତାହା ଚୂର୍ଣ୍ଣୀଭୂତ ହୋଇ

ଛିନ୍ନ ହେଲା କା ତୁଣୀର ଶାରପୁଙ୍ଖ ସହ।

ଅହି ବିଷଦନ୍ତେ ଅହି ତୁଣ୍ଡିକ ଯେସନ

 

ଭାଙ୍ଗି ତାକୁ କରେ ବଳହୀନ, ଦର୍ପହୀନ,

କେସନ ଅର୍ଜ୍ଜୁନ କରି ନିରସ୍ତ୍ର ସେନିକେ,

କଲେ ତାଙ୍କ ବଳ କ୍ଷୟ, ଗୁରୁ ଗର୍ବ ଧ୍ୱଂସ ।

ନିରସ୍ତ୍ର, ନିତୁଣ ସର୍ବେ, ନ ପଳାଇ ରଣୁ

 

ରହିଲେ ସ୍ତମ୍ଭିତ ହୋଇ, କି ଅଦ୍ଭୁତ ଶିକ୍ଷା,

ଅସ୍ତ୍ର, ବସ୍ତ୍ର, ଆଭରଣ, କଟା ହେଲା ସବୁ;

ମାତ୍ରା ନ ଭେଦିଲା କାହା ଶରୀରେ ବିଶିଖ,

ହେଲା ନାହିଁ ବିନ୍ଦୁମାତ୍ର ରକ୍ତପାତ ସୁଦ୍ଧା ।

 

ହେରି ଏ ଅଶ୍ରୁତପର୍ବ ଅରକ୍ତ ସମର,

ହେଲେ ସର୍ବେ ସ୍ତବ୍ଧ, ମୁଗ୍‌ଧ, ତାଟଙ୍କା-ଅବଶ ।

କୃପାଜଳଧର ପାର୍ଥ, ମୁଖରେ ହୁଙ୍କାର,

ଅନ୍ତର କରୁଣା ପୂର୍ଣ୍ଣ-ଅମୃତ ଆଧାର

 

ଅସ୍ତ୍ରହୀନ ଜନେ ବୀର କ୍ଷମିଲେ ସ୍ୱଗୁଣେ,

କ୍ଷମାରେ ବୀରତ୍ୱ ସିନା ହୁଏ ଅଳଙ୍କୃତ ।

ପଦାତିକ ପରାଜୟ ହେରି ସିନିସୂତ

ହେଲା ଅଗ୍ରସର ରଣେ, ପ୍ରଥମେ ବାଗ୍‌ଯୁଦ୍ଧ,

 

ଦ୍ୱିତୀୟେ ଆରମ୍ଭ ହେଲା ବିଷମ ସମର,

ପ୍ରହାରିଲା ଅଗ୍ନିଅସ୍ତ୍ର ରଥୀନ୍ଦ୍ର ସାତ୍ୟକି,

ଗରୁଡ଼ବାଣେ ତା ପାର୍ଥ କଲେକ ସଂହାର,

ତହୁଁ ରୋଷେ ପର୍ବତାସ୍ତ୍ର ବିନ୍ଧିଲା ଯାଦବ,

 

ବଜ୍ରବାଣେ ଖଣ୍ଡ ଖଣ୍ଡ କଲେ ତା ପାଣ୍ଡବ ।

ଭୀତିପ୍ରଦର୍ଶନ ଆଶେ ଅନନ୍ତର ପାର୍ଥ

ପେଷିଲେ କୌତୁକ ବଶେ ଅବ୍ୟର୍ଥ ବିଶିଖ,

ଧାଇଁଲା ସେ ମହାଅସ୍ତ୍ର ଉଜ୍ଜ୍ୱଳି ଗଗନ

 

ଭୀମପୁଚ୍ଛ ଉଲ୍‌କାପ୍ରାୟ, ଅମଙ୍ଗଳ ଶଂସୀ,

ଜଳିଲା ସେ ଶରମୁଖେ ରୁଦ୍ର କାଳାନଳ,

ସତେ ଯେହ୍ନେ ମୁହୂର୍ତ୍ତକେ ଦହିବ ଜଗତ

ପଡ଼ି ତହିଁ ପୋଡ଼ିଗଲା ସାତ୍ୟକିର ବାଣ ।

 

ନ ପାରି ନିବାରି ତାହା ନିରସ୍ତ୍ର ସାତ୍ୟକି

ଗଣିଲା ଅକାଳମୃତ୍ୟୁ ଅସନ୍ଦେହ ସତ୍ୟେ;

କିନ୍ତୁ କି ଅଦ୍ଭୁତ କାଣ୍ଡ, ଅଦ୍ଭୁତ କୌତୁକ,

ପଡ଼ୁ ପଡ଼ୁ ଲକ୍ଷ୍ୟ ବକ୍ଷେ ଶର, ତ୍ୱରା କରେ

 

ନେଲେ ଲେଉଟାଇ ପାର୍ଥ ପେଷି ପ୍ରତିଶର ।

ଆଶୁ ମୃତ୍ୟୁକବଳରୁ ଉଦ୍ଧରି ସାତ୍ୟକି,

ଅସମ୍ଭାଳ ମହାନନ୍ଦେ, ହରାଇ ଚେତନା

ପଡ଼ିଗଲା ରଥେ, ପଡ଼େ ତରୁ ଯଥା ତଳେ

 

ଯୁଝି ପ୍ରଭଞ୍ଜନ ସହ, ହୋଇ ଛିନ୍ନପତ୍ର-

ଭଗ୍ନଶାଖା ପ୍ରତେ ହୁଏ ଯୁଦ୍ଧ ନୁହେଁ ତାହା,

ଦେଖାଉଛି ସତେ ଯେହ୍ନେ ଇନ୍ଦ୍ରଜାଲ କ୍ରୀଡ଼ା

ଦକ୍ଷ ଇନ୍ଦ୍ରଜାଲକର, ରଣାଙ୍ଗନ ଆଜି

 

ମାୟାରାଜ୍ୟେ ପରିଣତ କିବା ଆଚମ୍ବିତେ ।

ସାତ୍ୟକି ଦୁର୍ଗତି ଦେଖି ଶୁରେଶ ଦର୍ପକ

ହେଲା ରଣେ ଅଗ୍ରଗାମୀ ଗୁରୁଦର୍ପଭରେ,

ମାତ୍ର ନ ଚଢ଼ାଉ ଗୁଣ, କାଟିଲେ ତା ଧନୁ

 

ଧନଞ୍ଜୟ-ରଥୀଞ୍ଜୟ ଦ୍ୱୈରଥ ସମରେ,

ହୋଇ ଅପ୍ରତିଭ ମାର, ନେଲା ଅନ୍ୟ ଧନୁ,

ସେ ଧନୁ ଛେଦିଲେ ପାର୍ଥ ହସି ହସି ହାଦେ ।

ଏହିରୂପେ ଯେତେ ଧନୁ ଧରିଲା ପ୍ରଦ୍ୟୁମ୍ନ,

 

କାଟିଲେ ସକଳ ପାର୍ଥ-ଶୁରେନ୍ଦ୍ରଶାତନ ।

ଭାଷିଲେ ଏସନ ବୀର କୁମାର ମନ୍ମଥେ

‘‘କିମ୍ପା ରଣଗୋଳ ବତ୍ସ ! ତେଜି ଧୂଳିଖେଳେ,

ସ୍ୱଭାବେ ବାଳକ ତୁମ୍ଭେ, ଶିକ୍ଷାରେ ଅପକ୍ୱ,

 

ହୋଇ ନାହିଁ ଲକ୍ଷ୍ୟ ସ୍ଥିର-ମୁଷ୍ଟି ଶିଥିଳିତ,

ଶିକ୍ଷାଳୟ ତେଜି ବତ୍ସ, କିମ୍ପା ରଣସ୍ଥଳେ,

ଏ ଯେ ଯମାଳୟ, ଯାଅ ଗୃହେ ଫେରି ଏବେ ।’’

ଶୁଣି ଏହି ପରିହାସ ମଧୁର ଧିକ୍କାର,

 

ଲଜ୍ଜାବେଶେ ମଥା ପୋତି ରହିଲା ମଦନ

ମୌନେ, ନ ପାଇଲା ଭାଷା କହିବାକୁ କିଛି ।

କୁମାରଙ୍କ ଅପମାନେ ସଂସପ୍ତକ ବୀରେ

ଘେରିଲେ ଅର୍ଜ୍ଜୁନରଥ ସହସ୍ର ବେଷ୍ଟନେ,

 

ବେଢ଼ନ୍ତି ଶରଦେ ଯେହ୍ନେ ବହୁ ପରିଧିରେ

ଜଟିଆ ଶଇଳେ ହଂସେ ଚିଲିକାଗରଭେ ।

ସଂଖ୍ୟାତୀତ ସଂସପ୍ତକ, ଏକା ପାର୍ଥବୀର,

ଲାଗିଲା ଭୀଷଣ ଯୁଦ୍ଧ, ଧାଇଁଲା ଚୌଦିଗୁ

 

ପାର୍ଥ ପ୍ରତି କୋଟି କୋଟି ଜ୍ୱାଳାବଳୀକାଶ,

ଚଳାଇଲେ ରଥ ଭଦ୍ରା ବିବିଧ ଛନ୍ଦରେ,

ଗର୍ଜି ଉଠି ମହାରଥ ଧାଇଁଲା ଘର୍ଘରେ,

କେବେ ତଳେ, ମଧ୍ୟାକାଶେ, କେବେ ମହାଶୂନ୍ୟେ,

 

କେବେ ବକ୍ର, କେବେ ଋଜୁ, ତୀର୍ଯ୍ୟକ ଗତିରେ,

କେବେ ପଶି ମେଘରନ୍ଧ୍ରେ ଖେଳେ ଲୁଚକାଳି,

ଏହିପରି ଘୁରି, ଫେରି, ବିଦ୍ୟୁତ ଗତିରେ,

କଲାବ୍ୟର୍ଥ ଶରଲକ୍ଷ୍ୟ ବିପକ୍ଷକୁଳର ।

 

ଉଡ଼ୁଥାଏ ରଥବେଗେ ସୁଭଦ୍ରାର କେଶ

ନିଷ୍‌କମ୍ପ ବିଜୟକେତୁପ୍ରାୟ, ପୃଷ୍ଠ ତେଜି ।

ଏଣେ ପାର୍ଥ ମୁହୁର୍ମୁହୁଃ ବଜ୍ରପାତ ପ୍ରାୟ

ଝଙ୍କାରି କାର୍ମୂକ, ବାଣ ବର୍ଷିଲେ ଅସଂଖ୍ୟ,

 

ଛେଦିଲେ ନିମେଷମାତ୍ରେ ସଂସପ୍ତକ ଅସ୍ତ୍ର ।

ଶଙ୍ଖନାଦେ, ବୀରନାଦେ ଧନୁକ ଟଙ୍କାରେ,

ବାରଣ ଗର୍ଜନେ ପୁଣି ଆସହେ ସରବେ,

କମ୍ପିଲା ଗଗନ, ଯେହ୍ନେ ଯିବ ତରା ଫାଟି,

 

ବୀରପଦକ୍ଷେପେ ଧରା ଥରିଲା ଅର୍ଥରେ ।

ଦିଶିଲା ମଣ୍ଡଳାକାର ପାର୍ଥଧନୁ ସଦା,

ମାତ୍ର କେବେ ଆକର୍ଷନ୍ତି, ଯୋଖନ୍ତି ବା ତୀର,

ନ ଦିଶିଲା କିଛି, ରୁଦ୍ଧ ହେଲା ଦେବମାର୍ଗ

 

ପାର୍ଥ-କ୍ଷିପ୍ତ ବାଣେ, ପ୍ରତି ସଂସପ୍ତକେ ବୀର

ବନ୍ଦୀ କଲେ ଖରଶାଣ ବାଣ-କାରାଗାରେ,

କି ଅପୂର୍ବ ଧନୁର୍ବିଦ୍ୟା, କି ଦେବକୌଶଳ ।

ସଂସପ୍ତକ ବୀରଙ୍କର ପ୍ରତି ଲୋମକୂପେ

 

ଯୋଖି ତୀକ୍ଷ୍ଣମୁନ ବାଣ, ରହିଲା ଶୂନ୍ୟରେ,

ମାତ୍ର ନ ଫୁଟିଲା ଦେହେ, ଦେଲା ନାହିଁ ପୀଡ଼ା,

କେବଳ କଲାକ ବନ୍ଦୀ, ସୃଜି କାରାଗାର ।

ଯେ ସଂକୀର୍ଣ୍ଣ କାରା ମଧ୍ୟେ ଶତ୍ରୁ ସୈନ୍ୟଙ୍କର

 

ନ ଚଳିଲା ହସ୍ତପଦ, ରହିଲେ ଦର୍ପୀଏ

ଅଚଳ, ଅସାଢ଼ ହୋଇ, ସର୍ବେ ଅନାୟରେ,

ନିଦାରୁଣ ଲଜ୍ଜାବଶେ ଉଡ଼ିଲେ ମୌନିମା ।

ଅପର ସୈନ୍ୟଙ୍କ ରଣେ ହେଲା ନାହିଁ ଲୋଡ଼ା,

 

ପାର୍ଥଙ୍କର ଅସ୍ତ୍ରଶସ୍ତ୍ର ଆସ୍ଫାଳି ଫଳକ

ନିବାରିଲେ ସମସ୍ତଙ୍କ ବାଣାବଳୀ ହାଦେ,

ନ ଭେଦିଲେ କାହା ଶର ଅର୍ଜ୍ଜୁନଶରୀରେ,

ଦେଖି ଏହା ସ୍ତବ୍‌ଧ ହୋଇ ଭାବିଲେ ଅରାତି

 

ବିଶିଖବାରେଣୀ ମନ୍ତ୍ର ଜାଣେ ଏ ଅର୍ଜ୍ଜୁନ,

ପଳାଇଲେ ତ୍ରାସେ ସର୍ବେ ଛତ୍ରଭଙ୍ଗ ହୋଇ ।

ଯଥା ତଟତରୁପନ୍ତି ଯୁଝି ସ୍ରୋତ ସହ

ଶେଷେ ତହୁଁ ଢ଼ାଳିଦେଇ ଉନ୍ମୂଳିତ ତନୁ

 

ଭାସିଯାଏ କେଉଁଆଡ଼େ ନିରୁଦ୍ଦେଶ୍ୟ ଭାବେ ।

ନବର୍ତ୍ତିଲା ରଣ, ପାର୍ଥ ଦିଶିଲେ ପ୍ରୋଜ୍ଜ୍ୱଳ,

ଝଟିକା ବିକ୍ଷୁବ୍‌ଧ, ଭୀମ, ମଧ୍ୟାହ୍ନ ଉତ୍ତାରେ

ଫୁଟିଉଠେ ଶାନ୍ତ ସୂର୍ଯ୍ୟ ହସି ହସି ଯଥା ।

 

ଦେଖି ଏହି ଅମାନୂଷୀ ବିଦ୍ୟାର ପ୍ରକାଶ

ଦିବୁ ଦେବେ ସାଧୁ, ସାଧୁ, ଉଚ୍ଚାରି ସାନନ୍ଦେ,

ଆଶୀର୍ବାଦ ପୁଷ୍ପବୃଷ୍ଟି କଲେ ପାର୍ଥଶିରେ,

ଉଠିଲା ବିପକ୍ଷ ପକ୍ଷୁ କୋଟି ଧନ୍ୟବାଦ ।

 

ସାରଥି ଆସନୁ ଉଠି ଭଦ୍ରା-ବୀରବାଳା,

କହିଲେ ପ୍ରଣମି ପାର୍ଥେ ଅଧୀର ହରଷେ-

‘‘ମୂର୍ତ୍ତିମନ୍ତ ଧନୁର୍ବେଦ ଦେଖି ପ୍ରଭୁ ଆଜି

ଯାଅ କଲି ଚର୍ମଚକ୍ଷୁ, ହେଲି ଧନ୍ୟବତୀ ।’’

 

ଉତ୍ତରିଲେ ହସି ହସି ପାର୍ଥ-ବୀରମଣି-

‘‘ମୁଁ ମଧ୍ୟ ଦେଖିଛି ଆଜି, ଅୟି ପ୍ରାଣେଶ୍ୱରି,

ମୂର୍ତ୍ତିମତୀ କ୍ଷାତ୍ରଶକ୍ତି ଏତେ ବାଜ ପରେ,

ଜାଣିଲି ମୁଁ ଏତେକାଳେ କିମ୍ପା ଏ ଭାରତ

 

ପୂଜତି, ନମସ୍ୟ ବିଶ୍ୱେ, ନିହିଛି ବିଧାତା

ଭାରତଲଳନାଦେହେ ଯେ ଅମର ଶକ୍ତି,

ସେ ଶକ୍ତିରେ ଶକ୍ତିମତୀ ଏ ଭାରତମାତା,

ଚିରକାଳ ରହିବ ତା ପ୍ରାଧାନ୍ୟ ମହୀରେ ।

 

ଖ୍ୟାତ ଯୁଗେ ଯୁଗେ ପ୍ରିୟେ, ନଳଙ୍କ ସାରଥ୍ୟ,

ମାତ୍ର ସେହି ଖ୍ୟାତି ଆସି ପଶିଛି ଦ୍ୱାପରେ

ଶରଣବତ୍ସଳେ, ତବ ଚରଣେ ଶରଣ,

ଗଣ୍ୟ ମୁହିଁ ଭାଗ୍ୟଧରେ ତବ ସ୍ୱାମୀ ବୋଲି ।’’

 

ଏଣେ ବଳଭଦ୍ର ବସି ବିଷର୍ଣ୍ଣ ବଦନେ,

ଚିନ୍ତାରେ ଚକିତଚକ୍ଷୁ, ଭାବୁଛନ୍ତି ବୀର-

ନ ଆସିଲା ରଣଦ୍ରୂତ, ଏତେବେଳଯାଏଁ

ଘେନି ରଣବାର୍ତ୍ତା, ବିଶ୍ୱେ ଦୁର୍ଜୟ ଅର୍ଜ୍ଜୁନ,

 

ନାହିଁ ତାର ସମକକ୍ଷ ଯୋଦ୍ଧା ଶିବ ବିନା,

ଜାଣି ସୁଦ୍ଧା ଏହା, ଯାହା ପେଷିଲି ସମରେ

ତରୁଣ କୁମାର ବର୍ଗେ-ଉଚ୍ଛୃଙ୍ଖଳମତି,

ନ ଯାଇ ମୁଁ ନିଜେ, ଏହା ମହାଭ୍ରାନ୍ତି ମୋର ।

 

ଏହିକାଳେ ତହିଁ କୃଷ୍ଣ ପ୍ରବେଶନ୍ତେ ଆସି,

କ୍ରୋଧେ କମ୍ପି କାମପାଳ କହିଲେ କର୍କଶେ-

‘‘ଦେଖ ଦେଖ କୃଷ୍ଣ, ତବ ପ୍ରିୟ ସଖାରୂପୀ

କାଳଭୁଜଙ୍ଗର କାର୍ଯ୍ୟ, ତା ତୀବ୍ର ଗରଜେ

 

ଜର୍ଜରିତ ଯଦୁକୁଳ, ହରିଲା କୃତଘ୍ନ

ଯଦୁକୁଳଭାଗ୍ୟଲକ୍ଷ୍ମୀ-ଭଗ୍ନୀଧନ ସହ

ମାନ, ଯୋଗ୍ୟ ପ୍ରତିଫଳ ନ ଦେଇ ସେ ଚୋରେ

ବହିବ କି ଶିରେ ଏହି କଳଙ୍କପସରା ?

 

ଭକ୍ତିର କାଙ୍ଗାଳୀ ତୁମ୍ଭେ, ଅତି ଭକ୍ତିରଙ୍କ,

ଭକ୍ତିଭାବେ ପଦେ କଥା କହେ ଯେ ତୁମ୍ଭଙ୍କୁ,

ମଣ ତାକୁ ଆପଣାର ସରଳବିଶ୍ୱାସେ,

ସେ ବିଶ୍ୱାସ-ବିଷଫଳ ଭୁଞ୍ଜି ଏବେ ତୁମ୍ଭେ

 

ଭୁଞ୍ଜାଇଲ ଯଦୁକୁଳେ, ଅହୋ କି ଲଜ୍ଜାଏ !

ହେଲା ତ ହେ ପୂର୍ଣ୍ଣ ଏବେ ମନୋରଥ ତବ ?’’

‘‘କିମ୍ପା ଆର୍ଯ୍ୟ, ଏତେ କ୍ରୋଧ ?’’ କହିଲେ କେଶବ

‘‘ମନ୍ମନା, ମଚ୍ଚିନ୍ତ, ପୁଣି ମତ୍ପରାୟଣ ଯେ,

 

ସେହି ଭକ୍ତ ପ୍ରାଣୋପମ ଏ ସଂସାରେ ମୋର,

ବୀରକୁଳେ ସାର୍ବଭୌମ ପାର୍ଥ, ପୁଣ୍ୟଶ୍ଳୋକ,

ଅଦ୍ୱିତୀୟ ହିତାକାଂଙ୍କ୍ଷୀ ଯଦୁବଂଶର ସେ,

କି ଦୋଷ ତାହାର, କିମ୍ପା ଆକ୍ରୋଶ ତା ପ୍ରତି ?

 

ବଳେ ମନୋମତ କନ୍ୟା ହରିନେବା ଯଦି

ଦୋଷାବହ, ତେବେ ନିଶ୍ଚେ ସେ ଦୋଷ ତାହାର,

ଯେ ସୃଜିଲା ଏ ଅବଧି, ଚିରକାଳ ଯାହା

ଆସୁଛି ଅବାଧେ ଚଳି କ୍ଷତ୍ରିୟ ସମାଜେ,

 

ଅର୍ଜ୍ଜୁନ ବେଳକୁ ତାହା କିମ୍ପା ଦୋଷାକର,

ଏହା ଭଲା କେଉଁ ନ୍ୟାୟଶାସ୍ତ୍ରର ବିଚାର ?’’

ଏକାଳେ ସାତ୍ୟକି ଆସି କହିଲା ସଲଜ୍ଜେ,

‘‘ହେଲା ରଣସ୍ଥଳୀ ଆଜି ଯାଦବ ଶୌର୍ଯ୍ୟର

 

ଭୀଷଣ ସମାଧିକ୍ଷେତ୍ର, କି ଅଦ୍ଭୁତ ରଣ,

କି ବିସ୍ମୟକରୀ ଶିକ୍ଷା, ଅତି ଅମାନୁଷୀ,

ବୀରଚାରୁ ଅର୍ଜ୍ଜୁନର, ଅବେଦବିଦିତ ।

କଲାକି ଅଦ୍ଭୁତ ରଣ, ନଶୁଖିଲା କିଛି

 

ଧନୁକଗର୍ଜନ ବିନା, ତୀକ୍ଷ୍ମ ବାଣାବଳୀ

ଗଗନେ ସ୍ପନ୍ଦିତ କରି ଧାଇଁଲା ପ୍ରଚଣ୍ଡେ,

କେତେ ଯେ ବର୍ଷିଲା ବାଣ କି କହିବି ତାହା,

ବରଷିବ ନାହିଁ ତେତେ ଜଳଧାରା ଘନ,

 

ଯାଦବେ ନିରସ୍ତ୍ର କରି ଜିଣିଲା ସେ ରଣ,

ବଳାଉଛି ଜୟଶଙ୍ଖ ରଥେ ବସି ମୋଦେ ।’’

ପୃଚ୍ଛିଲେ ମୂଷଳୀ କ୍ରୋଧ-କମ୍ପିତ ବଚନେ-

‘କାହୁଁ ସେ ପାଇଲା ରଥ ? କହିଲା ସାତ୍ୟକି-

 

‘‘କୃଷ୍ଣ ରଥେ ବସି ବୀର ନିରତ ଆହବେ ।’’

ସ୍ୱଭାବେ ପ୍ରଚଣ୍ଡ ଅଗ୍ନି, ପାଇଲେ ଆହୁତି

ଜ୍ୱଳେ ସେ ଦ୍ୱିଗୁଣ, ତଥା ସତ୍ୟକି ବଚନେ

ମହାକ୍ରୋଧେ ଜଳି ରାମ କହିଲେ ଏସନ-

 

‘‘ତେବେ ଏଥି ଶ୍ରୀକୃଷ୍ଣର ଅଛି ପରାମର୍ଶ,

ରଥ ଦେଇ ସହାୟତା କରିଛି ସଖାର,

କରିବାକୁ ମୋର ଇଚ୍ଛା ବିଫଳ ସର୍ବଥା,

ଏ କୌଶଳ ପରା କୃଷ୍ଣ କରିଛୁ ଭିଆଣ ?’’

 

କହିଲେ ଶ୍ରୀହରି ହସି, ‘‘କେ ସମର୍ଥ ଦେବ,

କରିବ ବିଫଳ ଇଚ୍ଛା ତବ, ଏ ଜଗତେ,

ପ୍ରାଣାଧିକ ପ୍ରିୟସଖା ଧନଞ୍ଜୟ ମୋର,

ବିହରେ ମୋ ରଥେ ସଦା, ସେଥିପାଇଁ ତାର

 

ହୁଏ ନାହିଁ ଲୋଡ଼ା ମୋର ଆଦେଶ ଗ୍ରହଣ ।

କହ କହ ହେ ସାତ୍ୟକି, କହିଛି ଦାରୁକ ?’’

କହିଲା ସିନିଜ, ‘‘ଦେବ, ସାରଥି ତୁମ୍ଭର

ଅବସ୍ଥିତ ରଥସ୍ତମ୍ଭେ ବନ୍ଧନଦଶାରେ,

 

ରତ ରଥସଞ୍ଚାଳନେ ଭଗିନୀ ତୁମ୍ଭର ।’’

ଶୁଣି ଏହା ବାସୁଦେବ କହିଲେ ଅଗ୍ରଜେ-

‘‘ଶୁଣିଲେ ତ ଆର୍ଯ୍ୟ, ଥିଲେ ସମ୍ମତି ମୋହର

ଦାରୁକ ବନ୍ଧନଦଶା ଲଭନ୍ତା କାହିଁକି ?

 

ସୁଭଦ୍ରା ବାହୁଛି ରଥ, କି ବୁଝିଲେ ଏଥୁ,

କି ଦୋଷ ବା ସୁଭଦ୍ରାର, ବରିଛି ସେ ସ୍ୱୀୟ

ଯୋଗ୍ୟପାତ୍ରେ, ଶୂରେଶ୍ୱର ଅର୍ଜ୍ଜୁନ ବ୍ୟତୀତ

କିଏ ଭଲା ଯୋଗ୍ୟ ବର ସୁଭଦ୍ରାର ଭବେ ?

 

ରବି ବିନା ଯୋଗ୍ୟପାତ୍ର କିଏ ପଦ୍ମିନୀର ?

କହ ହେ ସାତ୍ୟକି ପୁଣି ଯୁଦ୍ଧ ସମାଚାର ।’’

ଭାଷିଲା ସାତ୍ୟକି, ‘‘ଦେବ, କି ବର୍ଣ୍ଣିବି ତାହା,

ନ ଦେଖିଲେ ସମକ୍ଷେ ତାକେ କରିବ ପ୍ରତେ,

 

କପୋଳକଳ୍ପିତ ଉକ୍ତି ମଣିବେ ଅନେକେ,

ସମର ନୁହେଁ ସେ, ଯେହ୍ନେ ସ୍ୱପ୍ନକ୍ରୀଡ଼ାରଙ୍ଗ,

ଲାଗିଲା ସମର ଘୋର, ଯଦୁପକ୍ଷ ବୀରେ

ପ୍ରାଣପଣେ ନିକ୍ଷେପିଲେ ସଂଖ୍ୟାତୀତ ଅସ୍ତ୍ର,

 

ସେ ସକଳ କାଟି ପାର୍ଥ ହେଳେ ଲଘୁ ହସ୍ତେ,

ନିକ୍ଷେପିଲେ ବାଣରାଶି ବିପକ୍ଷ ଉଦ୍ଦେଶ୍ୟେ,

କି ତ୍ୱରା ନିକ୍ଷେପ, ଅହୋ, ବାଣ ପରେ ବାଣ,

ତହିଁପରେ ବାଣ ଗୁନ୍ଥିଦେଲା କୁନ୍ତୀ-ସୁତ,

 

ନିମେଷକେ କୋଟି କୋଟି କ୍ଷୁରଧାର ଶର ।

ଯେହ୍ନେ ଏକା ନୁହେଁ ପାର୍ଥ, କୋଟି ପାର୍ଥ ଅବା

ଗୋଟିକେ କୋଟିଏ କରେ ବର୍ଷୁଛନ୍ତି ବାଣ,

ନିରସ୍ତ୍ର, ନିତୁଣ କରି ସକଳ ସୈନିକେ

 

କଲା ତାଙ୍କ ଶକ୍ତି କ୍ଷୟ, କାହାକୁ ବା କଲା

ଶର-କାରାଗାରେ ବନ୍ଦୀ, ସର୍ବ ଯଦୁବୀରେ

ରହିଛନ୍ତି ଲଜ୍ଜାବେଶେ ହେଠବଦନରେ ।

ରହିଛନ୍ତି ଶକ୍ତିହୀନ, ମାତ୍ର କାହା ଦେହୁ

 

ହୋଇ ନାହିଁ ରକ୍ତପାତ ଅର୍ଦ୍ଧବିନ୍ଦୁ ସୁଦ୍ଧା,

ଅଲୌକିକ ଦେବ, ସେହି ଅରକ୍ତ ସମର

ଧନଞ୍ଜୟ ଉଦ୍ଭାବିତ, ନାହିଁ ଧନୁର୍ବେଦେ ।

ଆଉ ଏକ ମହାଶ୍ଚର୍ଯ୍ୟ-ସ୍ୟନ୍ଦନଚାଳନ

 

ସୁଭଦ୍ରା ଦେବୀଙ୍କ ଅହୋ, କି ନବ କୌଶଳ,

ପଲକେ ଭୂତଳେ ରଥ, ପଲକେ ଶୂନ୍ୟରେ,

କି ପ୍ରଖର ଗତି, ଯେହ୍ନେ ଯନ୍ତ୍ର ଶକ୍ତିବଳେ

ଚଳୁଛି ସ୍ୟନ୍ଦନ ବେଗେ ଅଲକ୍ଷିତ ଭାବେ,

 

କିମ୍ବା ଚଳେ ମନ୍ତ୍ର ବଳେ ଦକ୍ଷ ମାନ୍ତ୍ର କର ।’’

ଶୁଣି ଏହି ବୀରବାଣୀ, ବୀର ରାମଙ୍କର

ଉଠିଲାକ ଫୁଲି ବୀରହୃଦ ମହୋଲ୍ଲାସେ,

ଗୁଣରେ ମୋହିତ ହୋଇ ତହୁଁ ଗୁଣତାହା

 

ବିସୋରିଲେ କୋପ, ଶାନ୍ତି ଲଭିଲେ ଅନ୍ତରେ ।

ଧରିଲେ ଶୀତଳ ମୂର୍ତ୍ତି, ଯଥା ତସ୍ତ ସ୍ୱର୍ଣ୍ଣ

ସଲିଳ ପରଶେ, ବୀର କହିଲେ ଗଦ୍‌ଗଦେ-

‘‘ସତ୍ୟ କି ସାତ୍ୟକି ଏହା ? ସୁଭଦ୍ରା ମୋହର

 

ଧରେ ଏତେ ଗୁଣ, ଧନ୍ୟ ଯଦୁବଂଶ ଆଜି

ସୁଭଦ୍ରା ସୁଯଶେ, ଧନ୍ୟ ବୁଦ୍ଧିମତୀ ସେହୁ,

କରିଛି ସେ ଯୋଗ୍ୟ ପାତ୍ରେ ଆତ୍ମବିନିମୟ ।

କି ଅଦ୍ଭୁତ, କଲା ପାର୍ଥ ଅରକ୍ତ ସମର,

 

ନ ପ୍ରହାର ଅଙ୍ଗେ ବାଣ, ନିସ୍ତେଜିଲା ସୈନ୍ୟେ,

ଏତେ ସ୍ନେହ, ଏତେ ଦୟା, ଏତେ ଉଦାରତା

ସମ୍ଭବେ କେବଳ ସିନା ଅମର ହୃଦୟେ,

ଜାଣିଲି ସେ ଯାଦବଙ୍କ ହିତାକାଙ୍‌କ୍ଷୀ ନିଶ୍ଚେ,

 

ଉପଯୁକ୍ତ ଜାମାତା ସେ ଯାଦବବଂଶର ।

କୃଷ୍ଣ, ନାହିଁ ଅନ୍ତରାୟ ଇଚ୍ଛାରେ ତୁମ୍ଭର,

ଜାଣି ସୁଦ୍ଧା ଏ କଥା ମୁଁ ପଡ଼ିଥିଲି ଭ୍ରମେ,

ନ ବହିବ ଦୁଃଖ ଭାଇ, ତହିଁ ପାଇ ମନେ

 

ଯାହା ତବ ସାଧୁ ଇଚ୍ଛା କର ପୂର୍ଣ୍ଣ ତାହା ।

ଯାଅ ହେ ସାତ୍ୟକି, ଖରେ ଆଣ ଭଦ୍ରାର୍ଜୁନେ,

ପ୍ରବୋଧି ଉଭୟେ, ଯଥା ସାନ୍ତ୍ୱନା ବଚନେ

ଆଶୀର୍ବାଦ-ଆଲିଙ୍ଗନ ଅର୍ପିବ ଅର୍ଜ୍ଜୁନେ ।’’

 

ଏଣେ ଶୁଣି ଦୂତମୂଖେ ସୁଭଦ୍ରା ହରଣ,

ହେଲା ମାନଗୋବିନ୍ଦର ହୃତ୍କମ୍ପ ସଘନେ

କଲା ରେଖାପାତ ତାହା ରଦନମଣ୍ଡଳେ

ବିଷାଦ-ବାଳିମାଛାୟା, ମରିଗଲା ଆଶା,

 

ମରିଯାଏ ଯଥା ନବପଲ୍ଲବିତା ଲତା

ବଲ୍ମୀକଦଂଶନେ, ଗଲା ଚିନ୍ତା-ସୁତ୍ର ଚିତ ।

ସ୍ୱପ୍ନ-ସ୍ମିଗ୍‌ଧ, ମନୋମୁଗ୍‌ଧ-ଶତକଳ୍ପନାରେ

ନପାରିଲା ମନକୁ ସେ ପ୍ରଦାନ ସାନ୍ତ୍ୱନା,

 

ଆଭଷିଣ ବୀରକେଶ ଭାଷିଲା ସରୋଷେ-

‘‘ଅହୋ, କି ଆଶ୍ଚର୍ଯ୍ୟ, ଏଡ଼େ ସାହାସ ପାର୍ଥର,

ନାରକୀ, ବର୍ବର, ଆଜି ଲଭିବ ନିଶ୍ଚୟ

ସ୍ୱକୃତ କର୍ମର ଦୁଷ୍ଟ କୋଟି ପ୍ରତିଫଳ ।

 

ଡାକ ପିତାମହ ଭୀଷ୍ମେ, ଡାକ ଦ୍ରୋଣାଚାର୍ଯ୍ୟେ,

ଡାକ ଶୀଘ୍ର ଦୁଃଶାସନେ, ଅଶ୍ୱତ୍ଥାମା ଶୁରେ,

ଖର୍ବିବି ନିଶ୍ଚୟ ଆଜି ଗର୍ବ ପାଣ୍ଡବାର,

ନ ହେବ ପ୍ରତିଜ୍ଞା ମମ ଅନ୍ୟଥା କଦାପି ।’’

 

ଏହା କହି ଦୁର୍ଯ୍ୟୋଧନ, ତେଜି ବରବେଶ,

ହେଲା ସୁସଜ୍ଜିତ ବେଗେ ସମରସାକରେ,

ଆଜ୍ଞାମାତ୍ରେ ଉପସ୍ଥିତ ରାଜପାରିଷଦେ,

ଆସିଲେ ସ୍ଥବୀର ଭୀଷ୍ମ, ଶସ୍ତ୍ରଗୁରୁ କୃପ,

 

ଆସିଲା ଶକୁନି, ସୁଃଶା, ଜୟଦ୍ରଥ ରଥୀ,

ସର୍ବଶେଷ ଉପସ୍ଥିତ ଆଚାର୍ଯ୍ୟତିଳକ ।

ଉପବେଶି ଯୋଗ୍ୟାଶନେ ଦ୍ରୋଣ-କୁରୁଗୁରୁ

ପଚାରିଲେ ଦୁର୍ଯ୍ୟୋଧନେ ଆଶ୍ଚର୍ଯ୍ୟଭାବରେ-

 

‘‘କିପାଁ ବତ୍ସ, ବୀରବେଶ ତେଜି ବରବେଶ ?’’

ଉତ୍ତରିଲା ଦୂର୍ଯ୍ୟୋଧନ କମ୍ପିତବଚନେ-

‘‘ଦେଖନ୍ତୁ ଆଚାର୍ଯ୍ୟ ଦେବ, ପାର୍ଥ ଅତ୍ୟାଚାର,

ଏଡ଼େ ଦୂରକାଙ୍‌କ୍ଷା ତାର, ହରିଲା ସୁଭଦ୍ରା-

 

ମୋର ବରଣୀୟ କନ୍ୟା, ଲେପି ମୋର ଗଣ୍ଡେ

ଚୁନ କାଳି, ବୀର ହିଆ ସହିବ କି ଏହା ?

କି ଦାରୁଣ ଲଜ୍ଜା, କେଡ଼େ ତୀବ୍ର ଅପମାନ,

କରିକି ମୁଁ ଆଜି ତାହା ସଦ୍ୟ ପ୍ରତିଶୋଧ

 

ବିଚ୍ଛେଦି ଅର୍ଜ୍ଜୁନ ଶିର, ଏହା ମୋ ପ୍ରତିଜ୍ଞା

କରନ୍ତି ଆପଣ ସଦା ପାଣ୍ଡବେ ପ୍ରଶଂସା,

ଧରନ୍ତି ମୋହର ଦୋଷ ସର୍ବକାର୍ଯ୍ୟେ ପରା ?

ଦେଖନ୍ତୁ କାହାରୀ ଦୋଷ, କରନ୍ତୁ ବିଚାର,

 

ସାଧିଲେ ଯେ ମହାନିଷ୍ଟ, ତା ପ୍ରତି ଆଚାର୍ଯ୍ୟ,

ଯୋଗ୍ୟ ପ୍ରତିଫଳ ଦାନେ କି ଦୋଷ ମୋହର ?’’

ରୋଷମିଶା ହାସ୍ୟେ ତହୁଁ ଉତ୍ତରିଲେ ଦ୍ରୋଣ

‘‘କି ଦୋଷ ତୁମ୍ଭର ବତ୍ସ, ଦୋଷ ତ ତାହାର

 

ଯେ ସୁଜିଲା କ୍ଷତ୍ରଜାତି ମାନବ ସମାଜେ,

ଏଡ଼େ କ୍ରୋଧୀ, ଏଡ଼େ ବଡ଼ ଅଭିମାନୀ ଜାତି,

ଅଛି କି ଦ୍ୱୀତୀୟ ଆଉ ବିଶ୍ୱ ବ୍ରହ୍ମାଣ୍ଡରେ !

କଥାକେ କଥାକେ କ୍ରୋଧ, ଅସ୍ତ୍ରପଦର୍ଶନ,

 

ଇଛନ୍ତି ସେ ସର୍ବକାର୍ଯ୍ୟ ସୁସାଧ୍ୟ ଅସିରେ ।

ଆସ୍ଥାହୀନ ଶାସ୍ତ୍ରେ, ମାତ୍ର ଶସ୍ତ୍ରେ ଆସ୍ଥାବାନ ।

ଶୁଣିଲେ ଯେପରି ପାର୍ଥ ହରିଲା ସୁଭଦ୍ରା,

ଧରିଲ ସେପରି ତୁମ୍ଭେ ଖରଧାର ଅସି,

 

ପିନ୍ଧିଲ ଶରୀରେ ସାଞ୍ଜୁ, ବାହାରିଲ ଯୁଦ୍ଧେ,

ଏହା ହିଁ କି ଲୋକରକ୍ଷୀ କ୍ଷତ୍ରିୟର ଧର୍ମ ?

କି ଦୋଷ ବା ଅର୍ଜ୍ଜୁନର ଧର୍ମପତ୍ନୀକି ସେ

ଘେନିଗଲା ସଙ୍ଗେ, ଏଥି ସମ୍ଭବେ କି ଦୋଷ ?’’

 

ପୃଚ୍ଛିଲା ବିସ୍ମୟେ ବ୍ୟଗ୍ରେ ରାଜା ଦୁର୍ଯ୍ୟୋଧନ-

‘‘ଧର୍ମପତ୍ନୀ ଗୁରୁଦେବ ?’’ ‘‘ଧର୍ମପତ୍ନୀ ବତ୍ସ-’’

ଉତ୍ତରିଲେ ଦ୍ରୋଣାଚର୍ଯ୍ୟ-‘‘ବୀରଧର୍ମୀ ଦ୍ୱିଜ,

ପାର୍ଥ ସହ ସୁଭଦ୍ରାର ଗାନ୍ଧର୍ବବିବାହ

 

ହୋଇ ଯାଇଅଛି ବତ୍ସ, କେତେ ଦିନ ପୂର୍ବେ

କନ୍ୟାଦାନକର୍ତ୍ତୀ ସ୍ୱୟଂ ସତ୍ୟଭାମା ଦେବୀ ।

ଏଥିରେ ସମ୍ମତ ସର୍ବେ-ଯଦୁ ନରନାରୀ,

ଅସମ୍ମତ ଏକା ରାମ, ଯାଙ୍କ ନିମନ୍ତ୍ରଣେ

 

ଉପସ୍ଥିତ ତୁମ୍ଭେ ଏଥି ବିବାହ ମାନସେ,

ବୀରତୁଲ୍ୟ ବଳରାମ, ଦେବକଳାବନ୍ତ,

ମାତ୍ର ସେ ଏକାକୀ କେବେ ନୁହନ୍ତି ଅଗ୍ରଣୀ

ଯାଦବକୁଳର, ଏହା ନବିଚାରି ତୁମ୍ଭେ

 

ଆସିଲ କିମ୍ପାଇ ବତ୍ସ, ବରନିମନ୍ତ୍ରଣେ ?

ଏକା ରାମ ମତ, ନୁହେଁ ଯଦୁକୁଳ ମତ ।’’

ଶୁଣି ଏହା କୁରୁନାହା କହିଲେ ଆଚାର୍ଯ୍ୟେ-

‘‘ବିଜିତ ଆପଣ ଯେବେ ଏ ଗୂଢ଼ ରହସ୍ୟ,

 

ନକଲେ ବାରଣ ତେବେ କହି ତା କିମ୍ପାଇ,

ଉତ୍ତରିଲେ ଭରଦ୍ୱାଜ ସଜୀବ ବଚନେ-

କିଏ ନିବାରିବ ବତ୍ସ, କେହେବ ନିବୃତ୍ତ ?’’

‘‘କିଏ କେବେ ଲୋଡ଼ିଥିଲା କାହା ପରାମର୍ଶ ?

 

ବଳେ ପଶି କଥା କହି ସୁମତି ବିଦୂର

ଲଭିଲେ ଯେ ପରାଭବ ଦୁଃଶାସନ କୁଣ୍ଡେ,

ନଜାଣ କି ତାହା ତୁମ୍ଭେ, ଦେଇଥିଲେ ପରା

ନିଜେ ଯୋଗ ସେ ଘୃଣିତ ବ୍ୟଙ୍ଗ ବିଦ୍ରୂପରେ ?

 

ଏଥିରେ କେ କହିବାକୁ ହେବ ବା ସାହସୀ !

ବିଶେଷତଃ କହ ତୁମ୍ଭେ ଖୁଣ୍ଟା ଦେଇ ସଦା-

ଭୀଷ୍ମ, ଦ୍ରୋଣ ଆଦି ସର୍ବେ କୁରୁ ଅନ୍ନ ଭୁଞ୍ଜି

ପାଣ୍ଡବଙ୍କ ହିତାକାଙ୍‌କ୍ଷା କରନ୍ତି ସତତ,

 

ଦେଲେ ହିତଉପଦେଶ, ନିକି ସେହି କଥା

କରନ୍ତି ଆବୃତ୍ତି ପୁଣି, ସେହି ଏକା ଭୟ ।

ତୁମ୍ଭେ ତ କୁମନ୍ତ୍ରୀପ୍ରିୟ, ବଳ ତାଙ୍କମତେ,

ଯଥା କ୍ରୀଡ଼ାପୁତ୍ତଳିକା କ୍ରୀଡ଼କ ହସ୍ତରେ,

 

କେଦେବ ସଦୁପଦେଶ ବୃଥାରେ କାହିଁକି ?

କିମ୍ପାଇ ଢାଳିବ କିଏ ଭସ୍ମସ୍ତୁପେ ଘୃତ !

କିମ୍ପା ବା ଅର୍ଜ୍ଜୁନେ କ୍ରୋଧ, କି କରିବ ତାର ?

ଦର୍ପ ପରା ତବ-କୁରୁ ସାଗର ସକାଶେ,

 

ଅର୍ଜ୍ଜୁନ ଅଗସ୍ତ୍ୟ କିନ୍ତୁ, ସାଗରବିଶୋଷୀ,

କିମ୍ପା ଚରାଇବ ପ୍ରାଣ ଯୁଝି ତାହା ସହ,

ତୁମ୍ଭ ବିବାହିତା କନ୍ୟା ହରି ନାହିଁ ପାର୍ଥ,

ପ୍ରତ୍ୟୁତ ଆସିଛ ତୁମ୍ଭେ ତା ଜାୟା ଲାଭାଶେ,

 

ପରିହରି ସେ ଦୂରାଶା ଫେରି ଚାଲ ଏବେ ।

ଏଥିରେ ତୁମ୍ଭର ମାନ ହେବ ନାହିଁ ଖର୍ବ,

ବରଞ୍ଚ ବଢ଼ିବ ମାନ ଉଦାରତା ହେତୁ,

ହିଂସାରେ ନମିଳେ ମାନ, ମିଳେ ତା ଔଦାର୍ଯ୍ୟେ

 

ଶୁଣି ଏହି ହିତବାଣୀ ରାଜା ଦୁର୍ଯ୍ୟୋଧନ,

ହୋଇ ପ୍ରକୃତିସ୍ଥ, ଗଲା ଅଭିମାନେ ଫେରି

ହସ୍ତିନାନଗଲେ, ସ୍ୱୀୟ ଦଳବଳ ସହ,

ନୀରବେ ଆନତ ଶିରେ ଆରୋହି ସ୍ୟନ୍ଦନ ।

 

ଅନନ୍ତର ସଙ୍ଗେ ଘେନି ସୁଭଦ୍ରା ଅର୍ଜ୍ଜୁନେ

ଉପସ୍ଥିତ ସିନିସୁନ, ଦୂରୁ ଦେଖି ରାମେ

ଭଦ୍ରାର୍ଜ୍ଜୁନ, ସସମ୍ଭ୍ରମେ ଓହ୍ଳାଇ ସ୍ୟନ୍ଦନୁ

ହେଲେ ଅଗ୍ରସର ଧୀରେ, ନମ୍ରେ, ପଦବ୍ରଜେ ।

 

ବିହରେ କି ଘନରାଜ, ସ୍ୱପଟ୍ଟମହିଷୀ

ବିଦ୍ୟୁଲ୍ଲତା ସହ ମର୍ତ୍ତ୍ୟେ, ତେଜି ଅନମ୍ବର ।

ଏ ସମୟେ ସତ୍ୟଭାମା ଆସି ଅକସ୍ମାତ

ବିପୁଳ-ରତ୍ନାଳଙ୍କାର-ପରିପାଟୀ-ବେଶେ

 

ସଙ୍ଗିନୀସଙ୍ଗମେ, ଧରି ସୁଭଦ୍ରାର ହାତ

ଘେନିଗଲେ ଅନ୍ତଃପୁରେ ପଥମଧ୍ୟୁ ତ୍ୱରା ।

ପ୍ରଣମିଲେ ପାର୍ଥ ଆସି ରାମ-ପଦତଳେ,

ଉଠାଇ ସାଗ୍ରହେ ତାଙ୍କୁ ରେବତୀବଲ୍ଲଭ,

 

ଆଲିଙ୍ଗି ସପ୍ରେମେ, କଲେ ବହୁ ଆଶୀର୍ବାଦ ।

ଆନନ୍ଦ ଗଦ୍ବଦ କଣ୍ଠେ ଭାଷିଲେ ମୂଷଳୀ-

‘‘ଆସ ଭାଇ, ବକ୍ଷେ ଆସ ହୃଦ-ସିଂହାସନେ,

ଶୁଣି ମୁଁ ତୁମ୍ଭର ଭାଇ, ଅଦ୍ଭୁତ ବୀରତ୍ୱ,

 

ହୋଇଛି ବିମୁଗ୍ଧ ସ୍ତବ୍ଧ, ମଣିଛି ଆବର

ଆପଣାକୁ ଧନ୍ୟ-ଲଭି ତୁମ୍ଭକୁ ହେ ବୀର,

ଉପଯୁକ୍ତ ଭଗ୍ନୀପତିରୂପେ, ଭଦ୍ରା ପରି

ଗୁଣବତୀ ଭଗ୍ନୀ, ତୁମ୍ଭ ପରି ଭଗ୍ନୀପତି,

 

ମୋହୋ ଭାଗ୍ୟେ ବିଧାତାଙ୍କ କରୁଣାର ଦାନ ।

କରିଛି ଘୋଷଣା ମୁହିଁ ତୁମ୍ଭ ବିରୁଦ୍ଧରେ

ଯୁଦ୍ଧ, ତାହା ମୋର ଭ୍ରମ, ସେ ଲାଗି ମୁଁ ଏବେ

ଅନୁତପ୍ତା ସ୍ନେହ-ସ୍ନିଗ୍ଧ କୋଟି ସାନ୍ତ୍ୱନାରେ

 

ତୁମ୍ଭଙ୍କୁ ପ୍ରବୋଧଦାନେ ଅକ୍ଷମ ମୁଁ ଭାଇ !

ତୁମ୍ଭେ ଏ ଭାରତେ ବୀରକାଞ୍ଚନ ନିଶ୍ଚୟ,

ସୁଭଦ୍ରା ସୁଷମାମଣି, ଉଭୟ ସଂଯୋଗେ

ଗଢ଼ିବି ମୁଁ ଅଳଙ୍କାର, ବଳିଛି ଶରଧା,

 

ଶୋଭିବ ସେ ଅଳଙ୍କାର ଭାରତମାତାର

କାନ୍ତକଣ୍ଠେ ଯୁଗେ ଯୁଗେ, ଅମର ଜ୍ୟୋତିରେ ।

ରହିବ ଅନନ୍ତକାଳ ପୂତକୀର୍ତ୍ତି ତବ

କାଳ-ଇତିବୃତ୍ତପୃଷ୍ଠେ, ଅଙ୍କିତ ଉଜ୍ଜ୍ୱଳେ,

 

ସେ ଅକ୍ଷୟ ମହାକୀର୍ତ୍ତି ଉଜ୍ଜ୍ୱଳିବ ପୁଣି

ଉଜ୍ଜ୍ୱଳ ନକ୍ଷତ୍ରରୂପେ ଅନନ୍ତ ଗଗନେ,

ଗାଇବ ସେ କୀର୍ତ୍ତିଗୀତ ଭବିଷ୍ୟ ପୁରାଣ ।

କି ଅମୃତମୟ, ମହା ଶୁଭଦିନ ଆଜି,

 

ସଲିଳ, ଅନିଳ, ନଭ, ଧରଣୀ ପ୍ରଭୃତି

ସକଳ ଅମୃତବୋଳା ଅମର ଏ ଦିନ,

ଆୟୁଷ ଅନନ୍ତ କୋଟି ଯୁଗ ଏ ଦିନର ।

ଘେନିଯାଅ କୃଷ୍ଣ, ତୁମ୍ଭ ସଖାଙ୍କୁ ନବରେ,

 

କରନ୍ତୁ ବିଶ୍ରାମ ତହିଁ, ସମରକ୍ଳାନ୍ତି ସେ ।’’

ଅଗ୍ରଜେ ଆଦେଶେ କୃଷ୍ଣ ଧରି ପାର୍ଥ କର,

ଘେନିଗଲେ ସ୍ୱମନ୍ଦିରେ ପ୍ରହୃଷ୍ଟ ଅନ୍ତରେ,

ମିଶିଯାଏ ଯଥା ସୌମ୍ୟ ଛୁରୀଅନାଫୁଲେ

ସମରୁପି, ସମଗନ୍ଧ-ପୁନ୍ନାଗପ୍ରସୂନ ।*

*ପୁନ୍ନାଗ ଏବଂ ଛୁରୀଅନା ଫୁଲ ଏକତ୍ର କଲେ କିଏ ପୁନ୍ନାଗ, କିଏ ଛୁରୀଅନା ସହଜରେ ବାରି ହୁଏ ନାହିଁ

 

ଏକାଦଶ ସର୍ଗ

ପାର୍ଥ ସୁଭଦ୍ରାର ଆଜି ଶୁଭ-ପରିଣୟ,

ପିନ୍ଧିଣ ଉତ୍ସବ ସାଜ ଦ୍ୱାରକା ନଗରୀ

ବିସ୍ତାରିଛି ମଧୁହାସ୍ୟ-ବିପୁଳ ସୁଷମା,

ଏକେ ତ ନନ୍ଦନବନ ସ୍ୱଭାବ-ସୁନ୍ଦର,

 

ଦୁଯେ ତହିଁ ବିଜେ ହେଲେ ନବ ଋତୁରାଜ

( ପୁଷ୍ପାକର, ପୁଷ୍ପକାନ୍ତ, କିଶଳୟକେତୁ )

ଚୌଦିଗେ ଉତୁରି ପଡ଼େ ସୁଷମା-ମାଧୁରୀ ।

ବିଚକ୍ଷଣ ବିନ୍ଧାଣିଏ ରଚିଛନ୍ତି ରମ୍ୟ

 

ବିବାହବେଦିକା-ଛାୟାମଣ୍ଡପ ବିଚିତ୍ର,

ନବରତ୍ନଖଚୀ ସ୍ତମ୍ଭ ଉଭା ଧାଡ଼ି ଧାଡ଼ି

ବିବିଧାକୃତ୍ତିର, ଗାତ୍ରେ ସ୍ଥାନେ ସ୍ଥାନେ ତାର

ଜଡ଼ିତ ଦର୍ପଣ, ଯେହ୍ନେ ବହୁଚକ୍ଷୁ ଫେଡ଼ି

 

ନିର୍ନିମେଷେ ସ୍ତମ୍ଭାବଳୀ ରହିଛି ଅନାଇଁ

ଭଦ୍ରାର୍ଜ୍ଜୁନ-ପରିଣୟ ଦର୍ଶନ ମାନସେ ।

ଧରେ ଏକ ପଦାର୍ଥର ବହୁ ପ୍ରତିବିମ୍ବ

ସେ ଦର୍ପଣ, ଗୁଣଗ୍ରାହୀ ଯଥା ଗୁଣିକର

 

ଗୋଟିଏ ଗୁଣରେ କରେ କୋଟିଏ ପ୍ରଶଂସା ।

ଶୋଭେ ସ୍ତମ୍ଭାବଳୀ ଶିରେ ସ୍ୱର୍ଣ୍ଣପତ୍ରଚ୍ଛଦୀ,

କର୍ମରୂପ ବହୁ ବାହୁ ସମୂତ୍ତୋଳି କର୍ମୀ,

ଆଣିଛି କି ସ୍ୱର୍ଗରାଜ୍ୟ ମର୍ତ୍ୟକୁ ଓହ୍ଲାଇ ।

 

ମଧ୍ୟରେ ବିବାହବେଦୀ, ପ୍ରତି କୋଣେ ତାର

ଉଭା ରମ୍ଭା-ରମ୍ଭାପ୍ସରା ତରୁସଂସ୍କରଣ,

ସୁନ୍ଦରୀ ଲଳନା ସହ ରମ୍ଭାର ଉପମା

ଚଳି ଆସୁଥିଲା ଚିର ପରମ୍ପରାକ୍ରମେ,

 

ମାତ୍ର ସେ ପ୍ରାଚୀନ ପ୍ରଥା, ଭଦ୍ରା ଜନ୍ମଦିନୁ

ବିସର୍ଜି କବିଏ, ସେହି ଉପମା ଆସନେ

ବରାରୋହା ସୁଭଦ୍ରାକୁ ଅଛନ୍ତି ବସାଇ;

ସେହି କୋପେ ଅବା ରମ୍ଭା, ଧରି ଚତୁମୂର୍ତ୍ତି,

 

ଛକିଛି ଧରିବ ବୋଲି ଖ୍ୟାତି-ଚୋରଣୀକି ।

ଦୋଳେ ବେଦୀ ଚଉପାଶେ ମୃଦୁଳେ ମୃଦୁଳେ

ସପୁଷ୍ପ, ସଫଳ-ଚାରୁ ପଲ୍ଲବତୋରଣା,

ଶ୍ୱେତରକ୍ତ ପୁଷ୍ପେ ଗୁନ୍ଥା ମାଳାବଳୀ ସହ ।

 

କି ସୁନ୍ଦର ମାଳିକା ସେ, ଝୁଲୁଛି କି ଆହା

ମୁକୁତା ପ୍ରବାଳ ମିଶା ଝଟକ ଝାଲେରୀ,

କିମ୍ବା ସତ୍ତ୍ୱ, ରଜ ଆତ୍ମା ଗୁନ୍ଥା କ୍ରମାନ୍ୱୟେ ।

ଉପବିଷ୍ଟ ବେଦୀ ପରେ ପୁତ କୁଶାସନେ

 

ପୁରୋହିତ କୁଶପାଣି, ବ୍ରହ୍ମା ବରଣୀୟ,

ଉଭା ତଳେ ଗ୍ରହବିପ୍ର ପାଞ୍ଜି ଯାକି କାଖେ,

ନାପିତମଣ୍ଡଳୀ ରତ ଦ୍ରବ୍ୟ ଆହରଣେ ।

ଶୁଭଲଗ୍ନେ ପାର୍ଥ ଆସି ମଣ୍ଡିଲେ ବେଦିକା

 

ବରବେଶେ, ଉପସ୍ଥିତ ଜ୍ଞାନଦେବ କିବା

ପ୍ରତିଭା ବରଣେ କିମ୍ବା ଆସିଲା ପ୍ରଭାତ

ଦିବ୍ୟପ୍ରଭାବନ୍ତ, ପ୍ରଭାବତୀ କାବ୍ୟତାରା-

ବିବାହ ମାନସେ, ନତୁ ସମାଗତ ଅବା

 

ଉଚ୍ଚଭାବ-ଶୋଭାବତୀ କବିତା ଉଦ୍ଦେଶ୍ୟେ ।

ରଟିଲେ କବିତା ଭାଟେ ଉଚ୍ଚାଟ ଭାଷାରେ,

ବିପ୍ରେ କଲେ ବେଦ ଧ୍ୱନି, ମିଶିଲା ତହିଁରେ

ଜ୍ୟୋତିଷମଙ୍ଗଳାଷ୍ଟକ ଆବୃତ୍ତି ସଘନେ ।

 

ବାଜିଲା ମଙ୍ଗଳବାଦ୍ୟ, ନିନାଦିଲା କମ୍ବୁ

ଅମ୍ୱୁପତି ସ୍ୱରେ, ବହୁ ତୂରୀ ଭେରୀ ରବେ

କମ୍ପିଲା ଗଗନ, ହେଲା ଶ୍ରବଣ ବଧିର,

ପଡ଼ିଲା ଉଚ୍ଛୁଳି ଉଚ୍ଚ ହୁଳହୁଳି ଶବ୍ଦ,

 

ଅଟ୍ଟାଳୀ ପଟହ୍ୱନାଦେ କଲା ପ୍ରତିଧ୍ୱନି,

ବାଜିଲା ଦୁନ୍ଦୁଭୀ ବାଦ୍ୟ ଦୁଲୁକାଇ ମହୀ ।

କନକ କଟମ୍ବାସନେ ବସିବୀର ପ୍ରାର୍ଥ,

ପଠାଇଲେ ଉପବୀତ ପ୍ରତିନିଧିରୂପେ

 

କନ୍ୟା ନିମନ୍ତ୍ରଣେ, ତହୁ ମୁଦୁସୂଲିଗଣ

ସାତଙ୍କାରା ସୁଭଦ୍ରାଙ୍କୁ ଆଣି ଅନ୍ତଃପୁରୁ

ବସାଇଲେ ବର ବାମେ, ଜ୍ୟୋତିର୍ଦେବୀ ପ୍ରାୟ

ଶୋଭିଲେ ସୁଭଦ୍ରା, ରୂପେ ଉଜ୍ଜ୍ୱଳି ଚୌଦିଗ

 

କଲେ ପୁରୋହିତ ହୋମ ପୂଣ୍ୟ ବେଦମନ୍ତ୍ରେ,

ସାକ୍ଷୀ କରି ବରକନ୍ୟା ଉଭେ ମନେ ମନେ

ସର୍ବଦେବପ୍ରତିନିଧି ଅନଳଦେବଙ୍କୁ,

ଅର୍ପି ହେଲେ ପରସ୍ପରେ କାୟମନୋପ୍ରାଣେ ।

 

ବାନ୍ଧିଲେ ପୁରୋଧା କୁଶେ ବରବଧୂ ହସ୍ତ,

ଏ ନୁହେଁ ସାମାନ୍ୟ ଗ୍ରନ୍ଥି, ଆଜୀବନ ଏହା

ନ ଫିଟିବ, ନ ତୁଟିବ, ନ ଯିବ ହୁଗୁଳି,

ଏ ବନ୍ଧନ-ଉଭୟର ଧର୍ମର ବନ୍ଧନ,

 

ଏ ଗ୍ରନ୍ଥି-ପ୍ରଣୟଗ୍ରନ୍ଥି-ପ୍ରତିଜ୍ଞାର ଗ୍ରନ୍ଥି,

ଆତ୍ମାରେ ଆତ୍ମାରେ ଗଣ୍ଠି, ପ୍ରାଣେ ପ୍ରାଣେ ଗଣ୍ଠି,

ଏ ଗଣ୍ଠି, ଦୁଇକୁ ଏକ କରେ ପୁତ ପ୍ରେମେ ।

ପରସ୍ପର ସାହାଯ୍ୟରେ ଧର୍ମସଂସାଧନ

 

କରିବେ ସଂସାରେ ବେନି, କଲେ ଏ ପ୍ରତିଜ୍ଞା

ପାତିବେ ପ୍ରାଣେ ଏ ସତ୍ୟ, ସତ୍ୟର ନିମିତ୍ତ ।

ବହୁ ଯଉତୁକ ରାମ ଅର୍ପିଲେ ସାନନ୍ଦେ

ଭଗ୍ନୀ, ଭଗ୍ନୀପତି ଉଭେ, ଦେଲେ ବହୁ ରଥ-

 

ସ୍ୱର୍ଣ୍ଣଜରୀକାରୁମୟ ପାଟଛିଟେ ମଣ୍ଡି,

ହାଟକ ହାଉଦା ସବୁ ହସ୍ତୀ ଶତ ଶତ,

ମଣିମୁକ୍ତାଶୋଭୀ ହୟ, ଦୁଗ୍ଧବତୀ ଗାଭୀ,

ଅସଂଖ୍ୟ ମହିଷ, ଉଷ୍ଟ୍ର, କେତେ ପଢ଼ା-ଶୁକ,

 

ସୌଖିନ ପାଳିତ ଜନ୍ତୁ, ବହୁ ଅସ୍ତ୍ରଶସ୍ତ୍ର ।

ଅମୂଲ୍ୟ ଦୁର୍ଲ୍ଲଭ ରତ୍ନ ଅର୍ପିଲେ ବିସ୍ତର,

ବସନ, ଭୂଷଣ ସଂଖ୍ୟା ହେବ ନାହିଁ କଳି,

କେତେ ବଖାଣିବି ଆଉ ଦାନର ମହିମା,

 

ଜଣେ ନୃପତିର ଯାହା ଲୋଡ଼ା ଏ ସଂସାରେ,

ତହୁଁ ଶତଗୁଣ ରାମ ଅର୍ପିଲେ ଯୌତୁକ ।

କୁବେର ଭଣ୍ଡାର ଦେଇ ନୋହି ସୁଦ୍ଧା ତୃପ୍ତ,

ପୁଣି ସମର୍ପିଲେ ନେଇ ଅର୍ଜ୍ଜୁନେ ସ୍ୱକରେ

 

ସ୍ୱର୍ଣ୍ଣ ଧନୁ, ସ୍ୱର୍ଣ୍ଣ ଆସି, ତୂଣୀର କଞ୍ଚୁକ,

ଏହା ସିନା କ୍ଷତ୍ରିୟର ବାଞ୍ଛିତଭୂଷଣ ।

କଲେ ରାମ ଧନଞ୍ଜୟେ ସ୍ନେହେ ବିପ୍ଳାବିତ,

ଦେଖି ଏହା ଧନ୍ୟ ଧନ୍ୟ ଉଚ୍ଚାରିଲେ ସର୍ବେ,

 

ଶତ୍ରୁର ଯେ ସୁଦ୍ଧା ଗୁଣ କରନ୍ତି ଗ୍ରହଣ,

ଆପନ୍ତି ଗୁଣାନୁ ରୂପ ପୁରସ୍କାର ପୁଣି,

ସେହି ଏକା ଗୁଣଗ୍ରାହୀ, ବୀର, ମତିମାନ,

ଯୋଗ୍ୟ ଅଳଙ୍କାର ସେହି କ୍ଷତ୍ରିୟକୁଳର ।

 

ଏ ଅନ୍ତେ ଉଦ୍ବାହ କ୍ରିୟା ସମାପି ବ୍ରାହ୍ମଣେ,

ନିହି ଦୂର୍ବାକ୍ଷତ ନବଦମ୍ପତି ମସ୍ତକେ

କଲେ ଆଶୀର୍ବାଦ-ହୁଅ ଦୀର୍ଘଜୀବୀ ଉଭେ,

ହେଉ ଚିର ସମୁଜ୍ଜ୍ୱଳ ଭବିଷ୍ୟ ତୁମ୍ଭର,

 

ଜଗତର ହିତ ସହ କର ତୁମ୍ଭେ ସଦା

ସ୍ୱାର୍ଥ ବିନିମୟ, ସ୍ୱାର୍ଥ ହେଉ ପରହିତ,

ଦାମ୍ପତ୍ୟ ଜୀବନ ତବ ନୋହୁ ବ୍ୟକ୍ତିଗତ

ହେଉ ତାହା ଭାରତର ଜାତୀୟ ଜୀବନ-

 

ଆଦର୍ଶ ଜୀବନ, ନବ ଜାଗ୍ରତ ଜୀବନ,

ଘୋଷୁ ଏ ଭାରତ, ତବେ ଖ୍ୟାତି ଯୁଗେ ଯୁଗେ ।

ଏ ସମୟେ ମିଳି ତହିଁ ରେବତୀ, ରୁକ୍ମିଣୀ,

ସତ୍ୟଭାମା ଆଦି ଯଦୁବଧୂ, କନ୍ୟାବରେ

 

କରି ବନ୍ଦାପନା, ଗଲେ ଅନ୍ତଃପୁରେ ଘେନି,

ଖେଳାଇଲେ ଜୁତ ତହିଁ ସ୍ୱର୍ଣ୍ଣ କପର୍ଦକେ ।

କେତେ ହାସ ପରିହାସ ଚଳିଲା କୌତୁକେ,

କେ କହିଲା ଏଡ଼େ ବଡ଼ ମହାରଥୀ ପାର୍ଥ

 

ହାରିଗଲେ ଜୁତରଣେ, କି ବିଷମ ଲଜ୍ଜା,

କେ ବୋଲେ ହେଲେହେଁ ଭୃଙ୍ଗ ଦାରୁଭେଦେ ଦକ୍ଷ

ପାରେ କି ଫିଟାଇ କେବେ କମଳିନୀ ମୂଦ,

କେ ବୋଲେ ଦୁର୍ଜୟ ସିନା ଆନର ହର୍ଯ୍ୟକ୍ଷ,

 

ମାତ୍ର ଦୁର୍ଯ୍ୟକ୍ଷିଣୀ ପାଶେ ମୂଷିକ ନିଶ୍ଚୟ ।

ଏହିପରି ନାନା ହାସ୍ୟ କଉତୁକ ପରେ

ବିଜେ କଲେ ଧନଞ୍ଜୟ ବହିଃସ୍ଥ ମନ୍ଦିରେ

ନିତି ବଢ଼ାଇବା ଆଶେ, ସୁଭଦ୍ରା ଶ୍ରଦ୍ଧାନ୍ତେ ।

 

ଏଣେ ବଳରାମ ଏହି ବିବାହୋପଲକ୍ଷେ

ସୁଜିଲେ ବିରାଟ ଦାନସାଗର ସାଟୋପେ,

ଅନ୍ନ, ବସ୍ତ୍ର, ଧନ ଦାନେ ଦୀନେ କଲେ ଧନୀ,

ଯେତେ ବ୍ୟୟ କଲେ ସୁଦ୍ଧା ହେଲା ନାହିଁ ଶୂନ୍ୟ

 

ଦାନର ଭଣ୍ଡାର, କୂପ ଯଥା ଯହିଁ ଶୁଣ

ଉଠେ ତହିଁ ନିଅ ନିଅ ଖାଅ ଖାଅ ସ୍ୱର,

ମାତ୍ର ଦିଅ ଦିଅ ଶବ୍ଦ ନାହିଁ କେଉଁ ଠାରେ ।

ବିବାହର ଶୁଭସ୍ମୃତି ଚିହ୍ନରୂପେ ରାମ

 

ସ୍ଥାପିଲେ ନଗରେ ଏକ ନାରୀବିଦ୍ୟାଳୟ,

ଅନ୍ୟଥା ବିଧବାଙ୍କର ସୁବୃତ୍ତି ଶିକ୍ଷାର,

ହେଲା ତହିଁ ସୁବ୍ୟବସ୍ଥା ସୁଶିକ୍ଷକ ହସ୍ତେ,

ବହିଲା ସେ ‘‘ଭଦ୍ରାର୍ଜ୍ଜୁନ ଶିକ୍ଷାଗାର’’ ଆଖ୍ୟା ।

 

ଉତ୍ସବ ଆନନ୍ଦନୀରେ ମଗ୍ନ ନାଗରିକେ,

ନ ପାଇଲେ ଅବସର ବଳିବାକୁ ବେଳେ,

ଦିନକ ମଣିଲେ ସର୍ବେ ଓଳିଏ ସମାନ,

ସ୍ୱଳ୍ପାୟୁ ସୁଖର ଦିନ, ଚାଲିଯାଏ ଖରେ,

 

ମାତ୍ର ଦୁଃଖଦିନ ଦୀର୍ଘ, ମନ୍ଥର ତା ଗତି,

ଦିନକ ପ୍ରତ୍ୟୟ ହୁଏ ସାତଦିନ ସରି ।

ଅସ୍ତହେଲେ ବିଶ୍ୱଚକ୍ଷୁ ଦେବ ଦିବାକର,

ଆସିଲା ରଜନୀଦୂତୀ ସନ୍ଧ୍ୟା, ଧରଣୀକି

 

ଦେବାକୁ ସମ୍ବାଦ, ପିନ୍ଧି ଆସିଚ ଦୁକୂଳ,

ତାହା ପଛେ ବିଜେ ରାତ୍ରି, କୋଟିତାରାନେତ୍ରୀ ।

ଏ ସମୟେ ବରକନ୍ୟା କଲେ ଶୋଭାଯାତ୍ରା,

ବାଜିଲା ବିବିଧ ବାଦ୍ୟ, ଚାଲିଲା ଅସଂଖ୍ୟ

 

ଆଢ଼ୋଣୀ, ତରାସ, ଛତ୍ର ଧ୍ୱଜ, ଫୁଲଝାଡ଼,

ଉଡ଼ିଲା ସଧୀରେ ବହୁ ପ୍ରଦୀପ-ପଞ୍ଜରୀ

ଚଳତାରା ପ୍ରାୟ, ଦୀପି ଅନମ୍ବରଗର୍ଭ,

ଫୁଟିଲା ବହଳେ ବାଣ, ଖଇଭାଡ଼ି ପ୍ରାୟେ,

 

କ୍ଷଣେ ମାତ୍ର ଉଇଁ ହୁଇ ନବ ତାରାରୂପେ,

ଯାଉଛି ମିଳାଇ ନଭେ, ମିଳାଏ ଯେସନ

ସାଧୁର ସଦୁପଦେଶ ପାଷଣ୍ଡ ହୃଦୟେ;

ଅଥବା ମିଳାଏ ଯେହ୍ନେ ଦୀନ ମନୋରଥ

 

ଜନ୍ମର ଅବ୍ୟବଧାନେ, ନିରାଶ ନିଃଶ୍ୱାସେ ।

ଚନ୍ଦ୍ର-ଉଦିଆର ସ୍ନିଗ୍ଧ ଶୁଭ ସ୍ୱଚ୍ଛାଲୋକେ

ପ୍ରତି ଦିନ ପ୍ରାୟ ରାତି, ମାତ୍ର ତା ନିୟତି

ଶୋଷିନେଲା ପ୍ରାଣ ତାର ମୁହୂର୍ତ୍ତ ମଧ୍ୟରେ,

 

ଶୋଷେ ଜଳଧାରା ଯଥା ସୈକତ ପ୍ରଦେଶ ।

ମହାଟୋପେ ପଟୁଆର ଚାଲିଲା ଦାଣ୍ଡରେ

ସୁସଜ୍ଜିତ ରଥ, ଗଜ, ବାଜିରାଜି ସହ,

ମଧ୍ୟରେ ଚୌଦୋଳେ ବିଜେ ସୁଭଦ୍ରାଅର୍ଜ୍ଜୁନ ।

 

ନାଚି ନାଚି ଚାଲୁଛନ୍ତି ଅଗ୍ରତେ ନର୍ତ୍ତକ,

ନାଚି ଚାଲେ ଆଶାପନ୍ତି ମନ ଆଗେ ଯଥା,

ଗାଉଛନ୍ତି ସୁଗାୟକେ ମଧୁ ତାନେ, ସ୍ୱରେ ।

ବସି ଅଟ୍ଟାଳିକାଚୂଳେ କୁଳବାଳାକୁଳ

 

ଦେଖୁଛନ୍ତି ଶୋଭାଯାତ୍ରା, ବଜାଏ କେ ଶଙ୍ଖ,

କେ ଦେଉଛି ହୁଳହୁଳି, କେହି କେହି ଅବା

କରୁଛନ୍ତି ପୁଷ୍ପବୃଷ୍ଟି ବରକନ୍ୟା ଶିରେ ।

ଶେଷ ହେଲା ଅର୍ଦ୍ଧରାତ୍ରେ ନଗରଭ୍ରମଣ,

 

ବାହୁଡ଼ିଲେ ବରକନ୍ୟା ବସୁଦେବପୁରେ ।

ଅନନ୍ତର ଯୋଗଣାନ୍ତେ କନିଷ୍ଠ କୌନ୍ତେୟ

ବିଜେ ହେଲେ ସୁସଜ୍ଜିତ ମଧୁଶଯ୍ୟାଗୃହେ,

କିଛିକ୍ଷଣ ପରେ ତହିଁ ମେଳିଲେ ଆସିଣ

 

ସୁଭଦ୍ରାଙ୍କୁ ସଙ୍ଗେ ଘେନି ସଙ୍ଗିନାନୀକର ।

ଦେହଳୀ ବଳାଇ ଦେଇ ସୁଭଦ୍ରାକୁ ସର୍ବେ,

ଗୃହର କବାଟ ଖରେ ଆଣି ଆଉଜାଇ

ହୋଇଗଲେ ଅନ୍ତର୍ହିତ, ତହୁଁ ଧନଞ୍ଜୟ,

 

ସୁଭଦ୍ରାର ହସ୍ତ ଧରି ବସାଇଲେ ନେଇ

ଗଜଦନ୍ତ ପଲ୍ୟଙ୍କରେ, ବସିଲେ ଆପଣେ ।

ଲଜ୍ଜାରେ ନୀରବ ଭଦ୍ରା, ଫେଡ଼ି କେଶପାଶ

କେତକୀପାଖୁଡ଼ା, ତହିଁ ଲେଖିଲେ ଏ ଲିପି-

 

ଶେଫାଳିକାବୃନ୍ତରସେ, ଗୁଳିକାଠିମୁନେ-

‘‘ତୁମ୍ଭେ ମୋର ଦିବସରେ ସୂର୍ଯ୍ୟ, ରାତ୍ରେ ଚନ୍ଦ୍ର,

ଅନ୍ଧର ନୟନ, ଗୁପ୍ତଧନ ହୃଦୟର ।’’

ଲେଖିସାରି ଲେଖ ନେଇ ଛୁଆଇଁ ମସ୍ତକେ,

 

ଥୋଇଦେଲେ ଭକ୍ତିଭରେ ପାର୍ଥ ପଦତଳେ ।

ସତ୍ୱର ଉଠାଇ ତାହା, ପଢ଼ି ଧନଞ୍ଜୟ,

କହିଲେ, ‘‘ପ୍ରେୟସି, ତୁମ୍ଭେ ତତୋଽଧିକ ମୋର,

ନ କହି ବଚନ କିପାଁ ପତ୍ର ବ୍ୟବହାର ?’’

 

ଉତ୍ତରିଲେ ଭଦ୍ରା, ‘‘ନାଥ ଆସିବା ସମୟେ

କହିଥିଲେ ଭ୍ରାତୃଜାୟା ସତ୍ୟଭାମା ଦେବୀ-

ନ କହିବୁ ଜେମାମଣି, କାନ୍ତେ ଆଗେ କଥା,

କହିଲେ ପହିଲେ ନାରୀ ମଧୁଶଯ୍ୟା ରାତ୍ରେ

 

କାନ୍ତେ କଥା, ଆଜୀବନ ହୁଏ ସେ ଦୁର୍ଭାଗୀ ।’’

ଶୁଣି ପାର୍ଥ ହସି ହସି ପୁଚ୍ଛିଲେ ଆବର

କିପା ତେବେ ପ୍ରିୟେ, ନେତ୍ରେ ଅଶ୍ରୁଧାରା ତବ ?

‘‘ଆନନ୍ଦରେ’’ ଉତ୍ତରିଲେ ସୁଭଦ୍ରା ସୁନ୍ଦରୀ ।

 

ତହୁଁ ପାର୍ଥ ଉତ୍ତରୀୟେ ପୋଛି ଦେଲେ ଅଶ୍ରୁ,

ମାତ୍ର ସେ ଅବାଧ୍ୟ ଅଶ୍ରୁ, ହେଲା ନାହିଁ ରୁଦ୍ଧ,

ଦୁଃଖେ ହେଉ, ସୁଖେ ହେଉ, ଫିଟିଗଲେ ଥରେ

ଅଶ୍ରୁଝର, ହୁଏ ନାହିଁ ସହଜେ ସମ୍ଭାଳି,

 

ଭାଙ୍ଗିଗଲେ ନଦୀବନ୍ଧ ସ୍ରୋତବେଗ ଯଥା ।

ଇଷ୍ଟସମ୍ଭାଷଣ ପରେ ସେ ନବଦମ୍ପତି

ରତ ପ୍ରେମ-ପରିହାସେ-ଦାମ୍ପତ୍ୟ ସୁଲଭ ।

ଏଥୁଅନ୍ତେ ପ୍ରାଣକାନ୍ତେ କହିଲେ ସୁଭଦ୍ରା

 

ବିନୟ ମଧୁର ଗୀରେ, ଯାତଞାବ୍ୟଞ୍ଜକ-

‘‘ମାଗିବି ଗୋଟିଏ ଭିକ୍ଷା ଆଜି ପ୍ରାଣେଶ୍ୱର,

କରିବ ମୋ ମନୋରଥ ପୂର୍ଣ୍ଣ ଦୟା ବହି ।’’

ପୁଚ୍ଛିଲେ ମାଘବି, ‘‘ଦେବି, କି ଭିକ୍ଷା ତୁମ୍ଭର ?

 

ଭିକ୍ଷା ନୁହେଁ-ଆଦେଶ ତା କରିବି ପାଳନ,

ଯାହା ଲୋଡ଼ା ଆଣିଦେବି ତ୍ରିଭୁବନେ ଖୋଜି ।’’

ଭାଷିଲେ ସୁଭଦ୍ରା,‘‘କିବା ଲୋଡ଼ା ଆନଦ୍ରବ୍ୟେ,

ମୋ ବାଞ୍ଛିତ ଦ୍ରବ୍ୟ ଏକା ପାଦପଦ୍ମ ତବ,

 

ପୋଷିଛି ଆବାଲ୍ୟ ଆଶା, କରିବି ପ୍ରଚାର

ସମାଜେ ନିଷ୍କାମ ଧର୍ମ, ଦେଖୁଛ ତ ନାଥ,

ଧର୍ମର ବିପ୍ଳବ, ଧର୍ମନାମେ ଅନାଚାର-

ଧର୍ମ ନାମେ ଜୀବହିଂସା, ହତ୍ୟା, ଭେଦନୀତି;

 

ଦେଖି ଦେଖି ସଦା ଦୁଃଖେ ଫାଟିଯାଏ ହିଆ ।

ଦେଖୁଛନ୍ତି ଅନାର୍ଯ୍ୟଙ୍କୁ ଆର୍ଯ୍ୟେ ଘୃଣାନେତ୍ରେ,

ତାଙ୍କ ପ୍ରତି ଶାସ୍ତ୍ରପାଠ ନିଷିଦ୍ଧ ଛଳରେ

ହୋଇଛି ନିଷିଦ୍ଧ ଧର୍ମଚର୍ଚ୍ଚା, ପୁଣି ଆର୍ଯ୍ୟ

 

ଛୁଇଁଲେ ଅନାର୍ଯ୍ୟ ଛାଇ, ହେବ ଅପବିତ୍ର,

ପଶୁଛାୟା ଆର୍ଯ୍ୟଙ୍କର ନୁହେଁ ତେ ଅସ୍ପୃଶ୍ୟ,

ତେବେ କି ଅନାର୍ଯ୍ୟ, ହାୟ, ପଶୁଠାରୁ ହୀନ

ଏହା ଯଦି ଧର୍ମ, ତେବେ ଅଧର୍ମ କେ ଆଉ !

 

ଏହା ସିନା ଧର୍ବନାମେ ଧର୍ମର ଅବଜ୍ଞା-

ଧର୍ମର ଦାରୁଣ ଗ୍ଳାନି, ଧର୍ମଖ୍ୟାତ ପାପ ।

ଭାରତର ବେନି ବାହୁ-ଆର୍ଯ୍ୟ, ଆଯ୍ୟେତର,

ନ କଲେ ସାହାଯ୍ୟ ଦାନ ଏକ ଅପରକୁ,

 

ନ ମିଶିଲେ ଏକ ଶକ୍ତି ଅପର ଶକ୍ତିରେ,

ହେବ ନାହିଁ କର୍ମକ୍ଷମ ତାହା କେଉଁ କାଳେ ।

ଏହି ଭେଦନୀତିଫଳେ ବହୁ ଉପଧର୍ମ

ସୃଷ୍ଟ ହୋଇ ସମାଜକୁ କରୁଛି ଦୁର୍ବଳ,

 

ଏହି ଭେଦନୀତି କାଟ ଗୋଟି ଗୋଟି ଶାଖା

ସମାଜ ବୃକ୍ଷର, ତାକୁ କରୁଅଛି ସ୍ଥାଣୁ ।

ସ୍ୱାର୍ଥରେ ଚାଳିତ ସର୍ବେ, ନାହି ଧର୍ମଭୟ,

ଊଣା ହେଲା ଧର୍ବବଳ, ଟେକିଲା ମସ୍ତକ

 

ପାପ, ସୁପ୍ତ ହେଲେ ସିଂହ ମାତନ୍ତି ଫେରବେ,

ନତୁବା କି ଶିଶୁପାଳ, ଜରାସନ୍ଧ ଆଦି

ହୁଡ଼ି ପୁତ କ୍ଷାତ୍ରବୃତ୍ତି, ହୁଅନ୍ତେ ନିରତ

ଅତ୍ୟାଚାରେ, ଖଣ୍ଟବୃତ୍ତି-ଲୁଣ୍ଠନେ, ଶୋଷଣେ !

 

ବଂଶୀୟ ସୁଖ୍ୟାତିବଳେ ମହାଦର୍ପଭରେ

ବୋଲାଉଅଛି ବା କେହି ଆପଣାକୁ ବଡ଼,

ଚଢ଼ିଲେ ଅପର ସ୍କନ୍ଧେ, ଦିଶନ୍ତି ସକଳେ

ବଡ଼, ଏହା ସ୍ୱତଃସିଦ୍ଧ, ମାତ୍ର ନାହିଁ ତହିଁ

 

ଆପଣାର ବ୍ୟକ୍ତିଗତ ପ୍ରତିଭା ପ୍ରଭାବ,

ନ ବୁଝନ୍ତି ଏହା ମୂଢ଼େ, ଅହମିକାମଦେ ।

ଭାରତର ଏକମାତ୍ର ଯୁଦ୍ଧବୀର ତୁମ୍ଭେ,

ଶୁଣିଥିଲି ଏହା, ନାଥ, ପୂର୍ବେ ଜନରବେ,

 

ଚାକ୍ଷୁଷ ପ୍ରମାଣ ତାର ଲଭିଲି ମୁଁ କାଲି,

ସବୁଯୁଦ୍ଧେ, କିନ୍ତୁ ପ୍ରଭୁ, ଏକା ଯୁଦ୍ଧବୀରେ,

ହେବ ନାହିଁ କର୍ମୋଦ୍ଧାର, ଧର୍ମବୀର ବିନା,

ହୋଇ ଏବେ ଧର୍ମବୀର, ହେ ମହିମାଧର,

 

ହୁଅ ପ୍ରଚାରକ-ସତ୍ୟ ନିଷ୍କାମ ଧର୍ମର,

ହୁଅ ମୋର ଅନୁଷ୍ଠିତ ବ୍ରତର ସହାୟ,

ଏହି ଭିକ୍ଷା ଏ ଦାସୀର ତବ ପଦେ ଦେବ !’’

ସୁଭଦ୍ରା-ବିନୟବାଣୀ ଶୁଣି ସବ୍ୟସାଚୀ,

 

ଉତ୍ତରିଲେ ସ୍ମିତହାସ୍ୟେ ବିସ୍ମୟପୁଲକେ-

‘‘ଭିକ୍ଷା ନୁହେଁ ପ୍ରାଣେଶ୍ୱରି, ମହାଶିକ୍ଷା ଏହା,

ଭ୍ରାତା ଯାର ବିଶ୍ୱଗୁରୁ, ତାଙ୍କ ଭଗିନୀର

ଏଭଳି ସୁଗୁଣ ସିନା ବାସ୍ତବ ସମ୍ଭବ,

 

କରିଦେଲ ତୁମ୍ଭେ ମୋର ଭାବୀ ଜୀବନର

କର୍ତ୍ତବ୍ୟ ନିର୍ଦ୍ଦେଶ ଆଜି, ଏତେଦିନ ପରେ

ଲଭିଲି ମୁଁ ମାନବର ଉପଯୁକ୍ତ ଶିକ୍ଷା,

ସତୀ ନାରୀ ପୁରୁଷର ଗୁରୁ ସତ୍ୟ ଏହା,

 

ପୁରୁଷ ସଂସାରେ ସଦା ବିଶୃଙ୍ଖଳମତି,

ରମଣୀ ଶୃଙ୍ଖଳା ତାର, ଏହା ମହାସତ୍ୟ ।

ବହୁ ଭାଗ୍ୟଫଳେ ପ୍ରିୟେ, ମିଳେ ପାରତ୍ରିକ-

ପଥପ୍ରଦର୍ଶିକା ନାରୀ, ସୌଭାଗ୍ୟ ମୋହର

 

ନ ପାରିଣ କଳି ଆଜି ଆତ୍ମବିସ୍ମୃତ ମୁଁ ।

ଆଜିଠାରୁ ହେବ ମୋର ଜୀବନର ବ୍ରତ

ଋଗ୍ଣସେବା-ଜାତିଧର୍ମ ଶତ୍ରୁନିର୍ବିଶେଷେ ।

ବିପନ୍ନର ସହାୟତା, ସତ୍ୟର ପାଳନ,

 

ଶାସ୍ତ୍ର ଉପଦେଶଦାନ, ସର୍ବଜୀବେ ଦୟା,

ସ୍ନେହ, ସାମ୍ୟ, ପ୍ରୀତି, ମୈତ୍ରୀ, ନିରଭିମାନିତା

ଏହାହିଁ ତ ସତ୍ୟଧର୍ମ, ପାଳିକି ନିକର ।

ପ୍ରଚାରିବି କୃଷ୍ଣନାମ-କଳି-ମୁକ୍ତି-ମନ୍ତ୍ର,

 

ଏକାର୍ଯ୍ୟେ ମୋ ହେବେ ସାହା ଭାତୃଦେବ ତବ,

ସତତ ସେ ସାଧୁକାର୍ଯ୍ୟେ ପରମ ସହାୟ,

ସ୍ଥାପିବେ ସେ ଧରା ସ୍ୱର୍ଗ ଏ ପୂଣ୍ୟ ଭାରତେ

ଧର୍ମରାଜ୍ୟ, ସତ୍ୟରାଜ୍ୟ, ଶାନ୍ତିରାଜ୍ୟ ନିଜେ,

 

ସନାତନ ଆର୍ଯ୍ୟଧର୍ମ ହେବ ସମୁଜ୍ଜ୍ୱଳ,

ଧର୍ମର ରକ୍ଷକ ଯେହୁ, ରଖିବେ ସେ ଧର୍ମେ

ମୁଁ କେବଳେ ଉପଲକ୍ଷ ହେବି ସେ କାର୍ଯ୍ୟର ।

ପ୍ରଚାରିବ କରୁପୁରେ ମହିଳା-ସମାଜେ

 

ପବିତ୍ର ନିଷ୍କାମ ଧର୍ମ ତୁମ୍ଭେ ବରାନନେ,

ରହିଲା ମୋ ଭାଗେ ସଦା ପୁରୁଷସମାଜ,

ପ୍ରଥମତଃ କୁରୁପୁର ହେବ କର୍ମକେନ୍ଦ୍ର,

ଉଠି ତହୁଁ ଢେଉ କ୍ରମେ ବ୍ୟାପିବ ଭାରତେ,

 

ଉଠି ଯଥା ସରଗଭେ ଲୋଷ୍ଟ୍ର କ୍ଷେପେ ବୀଚି;

କ୍ରମଶଃ ବିସ୍ତୃତ ହୋଇ ସ୍ପର୍ଶେ ସରସୀମା ।’’

ଏହିପରି ଧର୍ମନୀତି କଥା ପ୍ରସଙ୍ଗରେ

ପାହିଲା ରଜନୀ, ତହୁଁ ସୁଭଦ୍ରା, ଅର୍ଜ୍ଜୁନ

 

ଉଠିଗଲେ ପ୍ରାତଃକୃତ୍ୟ ସମାପନ ଆଶେ ।

ଘେନୁଛି ମେଲାଣି ଏବେ ତାପସୀ ସୁଭଦ୍ରେ,

ଚିତ୍ରିବି କି ଶକ୍ତି ମୋର, ତବ ପୂଣ୍ୟଚିତ୍ର,

ଭବିଷ୍ୟ କରଣୀ ତବ ଅତୁଳ, ଅଦ୍ଭୁତ,

 

ଯାଇ କୁରୁପୁରେ ତୁମ୍ଭେ କଲି ସମସ୍ତଙ୍କୁ

ଗୁଣେ ବଶ, କରିନେଲ ସକଳେ ନିଜର,

ରାଜଯୋଚୀ ଯୁଧିଷ୍ଠିର, ସର୍ବଗୁଣଧର,

ହୋଇ ତବ ଗୁଣେ ମୁଗ୍ଧ, କିବା ରାଜନୀତି,

 

ଗୃହନୀତି, ବ୍ୟବହାରନୀତି, ସର୍ବକାର୍ଯ୍ୟେ

ନ ଜିଜ୍ଞାସି ମତ ତବ, ନ କରନ୍ତି କିଛି ।

ପତି-ବନବାସ କାଳେ ନିବସିଲ ଆସି

ପିତୃଗୃହେ, ଉଦାସୀନୀ-ସନ୍ନ୍ୟାସିନୀ ବେଶେ

 

ହେଲା କର୍ତ୍ତବ୍ୟ ତୁମ୍ଭର, ଦେବି ! ନାରାୟଣ-ପୂଜା,

ଶସ୍ତ୍ର ଶାସ୍ତ୍ର ଶିକ୍ଷାଦାନ କୁମାରଗଣର ।

ଥିବାରୁ ସୁଶିକ୍ଷା ଲଭି ତୁମ୍ଭଠାରୁ ସିନା

ଅତିରଥ ଅଭିମନ୍ୟୁ, ଦ୍ୱିତୀୟ ଅର୍ଜ୍ଜୁନ,

 

ହୋଇଥିଲା କ୍ଷମଦୃଢ଼ ଚକ୍ରବ୍ୟୁହଭେଦେ

ଯକ୍ଷ ରକ୍ଷ ଅଭେଦ୍ୟ ଯେ, ସୁରନରତ୍ରାସ ।

କୁରୁକ୍ଷେତ୍ର ଯୁଦ୍ଧେ ଯେବେ ମଲେ ବହୁ ସୈନ୍ୟ,

ପୂର୍ଣ୍ଣ ହେଲା ରଣକ୍ଷେତ୍ର ମୃତ, ମୁମୂର୍ଷରେ;

 

ସେକାଳେ ସୁଭଦ୍ରେ ତୁମ୍ଭେ ଭ୍ରମି ଦିବାରାତ୍ର

କଲ ଆହତର ସେବା କ୍ଷୁଧାତୃଷା ଭୁଲି,

ସ୍ନେହମୟୀ, କୃପାମୟୀ ମାତୃମୂର୍ତ୍ତିଧରି ।

ପ୍ରକାଶିଲ ଯେ କରୁଣା, ବାଳାରୁଣାଧରି !

 

ନାହିଁ ତାର ସମକକ୍ଷ ତୁଳନା ମହୀରେ ।

ତୁମ୍ଭ ଶୁଶ୍ରୂଷାରେ ଭୀଷ୍ମ-ଶରଶଯ୍ୟାଶାୟୀ,

ଭୁଲିଥିଲେ ଶରପୀଡ଼ା, ଢାଳି ତୁମ୍ଭେ ପତି !

ଗୀତାମୃତ ତାଙ୍କ କର୍ଣ୍ଣେ, ମୁକ୍ତିମାର୍ଗଦର୍ଶୀ

 

ରଖିଥିଲ କରି ତାଙ୍କୁ ଭାବରେ ବିଭୋର,

ତେଣୁ ବୀର ମୃତ୍ୟୁକଷ୍ଟ ନ ପାରିଲେ ଜାଣି ।

ଦୁଃଖେ ସୁଖେ ସ୍ଥିର ତୁମ୍ଭେ ଗିରିଚୂଡ଼ା ସମ,

ପ୍ରାଣପୁତ୍ର ଅଭିମନ୍ୟୁ ମୃତ୍ୟୁସମ୍ବାଦରେ

 

ନ ହୋଇ ଅଧୀର, ଶୋକ ନ ପାରିଲା ଟାଳି

ପ୍ରଭଞ୍ଜନ ସମ ବଳେ ତୁମ୍ଭଙ୍କୁ ଯାଦବି !

ବୀରପତ୍ନୀ, ବୀରମାତା, ବୀରବାଳା ତୁମ୍ଭେ,

ମନବଳେ ବଳୀ, ଶୋକ କି କରିବ ତବ,

 

ମନର ବଳକୁ ଦେବି, ପାରେ ନାହିଁ କେବେ

କୋଟି ମତ୍ତ ଐରାବତ ପ୍ରତିହତ କରି ।

ପ୍ରଚାର ଭଗବଦ୍ମୀଚା ଆହତ ଆବାସେ,

ରଣକ୍ଷେତ୍ର ମଧ୍ୟେ, କୋଟି ମୁମୂର୍ଷୁ ପ୍ରାଣରେ

 

ସମର୍ପିଲ ଶାନ୍ତି, କୋଟି ମୁମୂର୍ଷୁ ଆତ୍ମାର

କରିଦେଲ ଗତି, ସୁଖେ ଗଲେ ସେ ତ୍ରିଦିବେ ।

କୁରୁକ୍ଷେତ୍ର ସମରାନ୍ତେ ସୁଧୀ ଧର୍ମରାଜ

ହେଲେ ରାଜଚକ୍ରବର୍ତ୍ତୀ ଭାରତମଣ୍ଡଳେ,

 

ମାତ୍ର ସେ ଶୋଣିତପ୍ଳାବୀ ଶୋକ-ସିଂହାସନ

ନ ଲାଗିଲା ସୁଖ ତାଙ୍କୁ, ତହୁଁ ପରୀକ୍ଷିତେ

ସମର୍ପି ସାମ୍ରାଜ୍ୟ-ଭାର, ଶୈଶବେ ତାଙ୍କର

ନିୟୋଗି ତୁମ୍ଭଙ୍କୁ ଭଦ୍ରେ, ପ୍ରତିନିଧିରୂପେ,

 

ଆଚରିଲେ ବାନପ୍ରସ୍ଥ ଭ୍ରାତୃ, ପତ୍ନୀ ସହ ।

ପାଳିଲ ପ୍ରକୃତି ତୁମ୍ଭେ ପୁତ୍ରନିର୍ବିଶେଷେ

ଅଦ୍ଭୁତ ଯୋଗ୍ୟତା ସହ, ତବ ସୁପାଳନ

ବଳିଗଲା ଯୁଧିଷ୍ଠିର ସୁପାଳନୁ ସତି !

 

ଯଥାକାଳେ ପୌତ୍ରକରେ ଅର୍ପି ଏ ଭାରତେ

ଗଲ ଚାଲି ସ୍ୱର୍ଗଧାମେ, ପୁଣ୍ୟ ରଥେ ବସି ।

ଗଲ ତୁମ୍ଭେ ଦେଖାଇ ଯେ ନାରୀଜୀବନର

ଅପୂର୍ବ ଆଦର୍ଶ ଚିତ୍ର, ଦୁର୍ଲଭ ତା ଏବେ,

 

ଏ ଭାରତଖଣି ଏବେ ପ୍ରସବୁ ତ ନାହି

ତୁମ୍ଭ ଭଳି ହାୟ ଦେବି, ଦିବ୍ୟ ଜ୍ୟୋତିର୍ମୟ-

ରମଣୀ-ଭୂଷଣ-ମଣି, ଯାଇଛ ପ୍ରତିଷ୍ଠି

ଆଦର୍ଶ ରମଣୀରାଜ୍ୟେ ତୁମ୍ଭେ ଗୁଣବତୀ

 

ଯେଉଁ ସ୍ୱର୍ଣ୍ଣସିଂହାସନ, ବସିବାକୁ ତହିଁ

ଉପଯୁକ୍ତ ପାତ୍ରୀ ଏବେ ଏକାନ୍ତ ଦୁର୍ଲଭ ।

ଏକାଳ ରମଣୀଙ୍କର ନାହିଁ ଉଚ୍ଚ ହୃଦ,

ଉଚ୍ଚ ଦୀକ୍ଷା, ଉଚ୍ଚ ଚିନ୍ତା,- ଅଛି ଏକା ଖାଲି

 

ଆଜୀବନ ନୀଚ ଚିନ୍ତା-ସ୍ୱଭାବଗ୍ରାସିଣୀ,

ନ ପଡ଼ିବ କାହା ନାମେ ଭାବୀ ଇତିହାସେ

ବିସୂକ୍ଷ୍ମ ମଳିନ ରେଖା, କର ଆଶୀର୍ବାଦ

ଘୁଞ୍ଚିଯାଉ ଏ ଦୁର୍ଗତି ଆର୍ଯ୍ୟବାଳାଙ୍କର,

 

ହେଉନ୍ତୁ ସେ, ଦେବୀ ! ତବ ସଦ୍ଗୁଣଦାୟାଦ ।

ସୌଭାଗ୍ୟର ସୁପ୍ରଭାତ ଅଭାଗୀକୂଳର

ହେଉ ସନ୍ନିକଟବର୍ତ୍ତୀ, ହେଉନ୍ତୁ ସେ ଗଣ୍ୟ ।