Unknown

 

ସେବାବ୍ରତ

ଚିନ୍ତାମଣି ମହାନ୍ତି

ପ୍ରଥମ ସର୍ଗ

 

କହିଲା ବିବେକ ଉଠ ତୁ ରେ ମନ

ଫେଡ଼ି ମୋହ-ମଦ ମୁଦ୍ରିତ ନୟନ ।

ମଣୁଛୁ ତୁ ପରା ନିଜକୁ ଦେବତା,

ପଟାନ୍ତର ଏକା ତୋତେ ତୋହ କଥା ।

 

ଛାଡ଼ିଗଲେ ଦେହୁ ବ୍ୟର୍ଥ ଅର୍ଥ-ଝଳି,

ନ ରହିବ ଆଉ ବଡ଼ିମା ଏଭଳି ।

ଏବେ ଯେ ତୋ ପଦେ ସ୍ତବେ ଅବନତ,

କରିବ ନାହିଁ ସେ ତୁଚ୍ଛା ଦଣ୍ଡବତ ।

 

ନ ଦେଖିଲା ପରି ପୋତି ତତେ ମଥା,

ବାଟ ଭାଙ୍ଗି ଯିବ ନ କହିବା କଥା ।

କରେ ଯେଉଁ ସ୍ତୁତି ତୋତେ ତୋ ଚାକର,

ତୋତେ ନୁହେଁ ତାହା ଅର୍ଥକୁ ତୋହର ।

 

ଅର୍ଥ ବଶୀଭୂତ ଜଗତେ ସକଳ,

ସମର୍ପନ୍ତି ପୂଜା ଅର୍ଥକୁ କେବଳ ।

ମଣିମା, ଶ୍ରୀଛାମୁ, ମହାପ୍ରଭୁ ଆଦି,

ଏ ସମସ୍ତ ସିନା ଅର୍ଥର ଉପାଧି ।

 

ତହିଁ ତୋର କିଛି ନାହିଁ ଅଧିକାର,

ପର ସମ୍ପଦେ ତୁ ମଣୁ ଆପଣାର ।

ଏହା ସିନା ତୋର-ଭାନୁମତୀ ଲୀଳା,

ଶିବ ନାମ ବହି ପୂଜା ପାଏ ଶିଳା ।

 

ହେଳ ମନ, ଚିତ୍ରପଟ୍ଟର ପ୍ରସଙ୍ଗ

ହୁଏ ତୁଚ୍ଛ କନା ଧୋଇଗଲେ ରଙ୍ଗ ।

ଛାଡ଼ିଗଲେ ତଥା ତୋତେ ତୋ ବିଭବ,

ହେବୁ ତୁହି ଜଣେ ନଗଣ୍ୟ ମାନବ ।

 

ସ୍ମରି ଏହା ମନ ଛାଡ଼ ଅର୍ଥ ସାଙ୍ଗ,

ଛାଡ଼ ଏ ଯାତ୍ରାର ବିଫଳ ସୁଆଙ୍ଗ ।

ଚାହାଁ ଚାହାଁ ଥରେ ପଶ୍ଚିମ ଗଗନେ,

ଜୀବନର ସନ୍ଧ୍ୟା ମାଡ଼ିଆସେ ଘନେ ।

 

ତମୋଗର୍ଭେ ସୃଷ୍ଟି ଦେବ ଦେହ ଢ଼ାଳି,

ହେବୁ ତୁହି ବାଟ ନ ପାଇ ଅଣ୍ଡାଳି ।

ଆଗହୁଁ ଆଲୋକ ରଖ ତୁ ସଂଗ୍ରହି,

ଅନ୍ୟଥା ଦଂଶିବ ଅନ୍ଧକାରେ ଅହି ।

 

ରସାତଳେ କାଳ ଦେଇ ତୋତେ ଫିଙ୍ଗି,

ଭାଙ୍ଗିଦେବ ତୋର ବଡ଼ିମା ବାଲିଙ୍ଗି ।

ଭଣ୍ଡ ଉପଦେଶ ପରିହରି ଖରେ,

କର ନିଜ ପ୍ରତି ଦୃଷ୍ଟିପାତ ଥରେ ।

 

ଦେଖିବୁ ଯେ ଦୃଶ୍ୟ ଭୀଷଣ ମହାନ,

ଉଠିବ ଆତଙ୍କେ ଶୀତେଇ ତୋ ପ୍ରାଣ ।

ପଡ଼ିଲାଣି ଦାନ୍ତ, ପାଚିଲାଣି କେଶ,

ବିକୃତ ବୀଭତ୍ସ ଦିଶିଲାଣି ବେଶ ।

 

ଅସୁରାଣୀ ଜରା ନିତି ତୋର କାୟୁ,

ଶୋଷୁଅଛି ତୀବ୍ରେ ରକ୍ତ ସଙ୍ଗେ ଆୟୁ ।

ଶିରାଗଣ୍ଠିମାନ ଗଲାଣି ହୁଗୁଳି,

ପଡ଼ିଲାଣି ଶୁଷ୍କ ଜୀର୍ଣ୍ଣ ଚର୍ମ ଝୁଲି ।

 

ଭୁଞ୍ଜିବୁ ଯେ ଦୁଃଖ ଏଥୁଅନ୍ତେ ପୁଣି,

ପାଷାଣ ତରଳିଯିବ ତାହା ଶୁଣି ।

ଧନୁ ପରି ଦେହ ହୋଇଯିବ ବଙ୍କା,

ପ୍ରତି ପହଣ୍ଡରେ ଲୋଡ଼ିବୁ ରେ ଥକା ।

 

ନ ଚଳିବ ହସ୍ତ ନ ଚଳିବ ପଦ,

କି କରିବ ତୋର ସେକାଳେ ସମ୍ପଦ ।

ନ ଦିଶିବ ନେତ୍ରେ ନ ଶୁଭିବ କାନେ,

ଦାରୁଣ ଅରୁଚି ହେବ ଖାଦ୍ୟପାନେ ।

 

ଭୟେ ଭୟେ ସ୍ୱଳ୍ପ କଲେହେଁ ଆହାର,

ଆକ୍ରମିବ ଅମ୍ଳ, ଅଜୀର୍ଣ୍ଣ ଉଦ୍ଗାର ।

ନବ ହାରେ ହେବ ଶ୍ଳେଷ୍ମା ବିନିର୍ଗତ,

ଜୀବନ୍ତେ ନରକ ଭୁଞ୍ଜିବୁ ଉଦ୍ଧତ ।

 

ସେବନ୍ତି ଯେ ଏବେ ତୋତେ ଦିବାରାତ୍ର,

ହେବୁ ତୁ ସେକାଳେ ତାଙ୍କ ଘୃଣାପାତ୍ର ।

ଜଳଶୂନ୍ୟ ନଦୀ ପ୍ରାୟ ପରିଜନେ,

ନ ଚାହିଁବେ ତୋତେ ଅପାଙ୍ଗ ନୟନେ ।

 

ଢ଼ାଳୁଛୁ ଯା ଶିରେ ସ୍ନେହ ଏକାଧାରେ,

ମଣିବ ସେ ମାନହାନି ତୋ କଥାରେ ।

ସମସ୍ତଙ୍କ ନେତ୍ରେ ହେବୁ ତୁ ଅସାର,

ମଣିବେ ସେ ତୋତେ ଜୀବନର ଭାର ।

 

ଏଥିଲାଗି ତୋତେ କହୁଛି ଦୁର୍ମତି,

ଆତ୍ମ-ଦୃଷ୍ଟିପାତ କର ଆତ୍ମପ୍ରତି ।

ଏହିଁତ ରେ ତୋର ପ୍ରାଣ ପରିଣାମ,

ମାତ୍ର ପରଲୋକ ଏଥୁ ବଳି ବାମ ।

 

ସାଙ୍ଗ କରି ଜୀବ ଜୀବନ-ଜୀବିକା,

ଦିଏ ଯାଇ ତହିଁ କର୍ମର ତାଲିକା ।

ସେ ରାଜ୍ୟର ରାଜା କୃତାନ୍ତ ଆଖ୍ୟାତ,

ବୃତ୍ତାନ୍ତ ତାହାର ଭୁବନ-ବିଖ୍ୟାତ ।

 

ଗୁମାସ୍ତାଟି ତାର ବଡ଼ ବିଚକ୍ଷଣ,

ଚିତ୍ରଗୁପ୍ତ ଦାସ ଜାତିରେ କରଣ ।

ଅଭୁତ ଚତୁର ଗଣିତଜ୍ଞପଣେ-

ବିସପ୍ତ ଭୁବନେ ସେହି ଏକା ଜାଣେ ।

 

ସିରସ୍ତାର କଥା ନ କରେ ପ୍ରକାଶ,

ରାଜାର ତାଠାରେ ଅଖଣ୍ଡ ବିଶ୍ୱାସ ।

ଗୁଣେ ସେ ରାଜାର ସନ୍ତୋଷ ସମ୍ପାଦି,

ପାଇଅଛି ‘‘ଛାମୁକରଣ’’ ଉପାଧି ।

 

ତାହା ପ୍ରତି ରାଜା ଅର୍ପି ସର୍ବ ଭାର,

ମୌନେ ବସି ଦେଖେ ବିଚାର ତାହାର ।

ଚିତ୍ରଗୁପ୍ତ ସିହା-ବିଡ଼ାଟି ଫିଟାଇ,

ନିଏ ତହିଁ କର୍ମତାଲିକା ମିଳାଇ ।

 

ଯାହାର ତାଲିକା ଘେନେ ତାହା ମନେ,

ବସାଏ ତାହାକୁ ଗୌରବ ଆସନେ ।

ସେ ଦିନୁ ସେ ଗଣା ହୁଏ ପୂଣ୍ୟଶ୍ଳୋକେ,

ସୁଖଭୋଗ ଅର୍ଥେ ଯାଏ ଊର୍ଦ୍ଧ୍ୱଲୋକେ ।

 

ଯାହା ତାଲିକାରେ ଦେଖେ ସେ ଭଣ୍ଡିମା,

କରିଦିଏ ତାକୁ ପାଇକଙ୍କ ଜିମା ।

ନେଇ ସେ ତାହାକୁ ଦଣ୍ଡନ୍ତି ବିସ୍ତର,

ନିକ୍ଷେପି ନରକେ ଭୀଷଣ ଦୁସ୍ତର ।

 

ମରଣର ଆଉ ନାହିଁ ତ ମରଣ,

ଭୁଞ୍ଜେ ସଦା ପାପୀ କେବଳ କଷଣ ।

ନ ପାରନ୍ତି ଦେଇ ତାଲିକା ଯେମାନେ,

ପଠାଏ ତାହାଙ୍କୁ ପୁଣି କର୍ମସ୍ଥାନେ ।

 

ଭୁଞ୍ଜନ୍ତି ସେ ଯାଇ ଜନମ ଯନ୍ତ୍ରଣା,

ଟାଣନ୍ତି ବଳଦ ପ୍ରାୟ ତେଲିଘଣା ।

ଏହିପରି ଜନ୍ମ ମୃତ୍ୟୁ ବାରମ୍ୱାର,

ଭୁଞ୍ଜି ହୋଇଯାନ୍ତି ଅସାରୁ ଅସାର ।

 

ବୁଝିଲୁ ତ ମନ ତାଲିକାର ମର୍ମ,

ନିଜ ପାଇଁ ଏବେ କର କିଛି କର୍ମ ।

ନିଜକୃତ ଯେଉଁ ସତ୍କର୍ମ ପବିତ୍ର,

ଧର୍ମ ନାମେ ତାହା ହୁଏ ଉପାହିତ ।

 

ସେହି ଧର୍ମ ସାହା ବିନା ପ୍ରାର୍ଥନାରେ,

ହୁଏ ଶେଷଦିନ ମହାଦରବାରେ ।

ଓକିଲାତିନାମା ନ ଦେ ପଛେ ମନ,

କରିବ ସେ ସ୍ୱତଃ ପକ୍ଷ ସମର୍ଥନ ।

 

ବିପକ୍ଷର ଯୁକ୍ତି ପକାଇବ କାଟି,

ନ ପାରିବ ଆଉ ଫିଟି ତାର ପାଟି ।

ଅତଏବ କର ସୁକର୍ମ ସାଧନ,

ସେ କର୍ମର ଅର୍ଥ ଧର୍ମ ଉପାର୍ଜନ ।

 

ଧର୍ମ ସାଧନର ଉପାୟ ବିବିଧ,

ଯୁଗେ ଯୁଗେ ଅଛି ଜଗତେ ପ୍ରସିଦ୍ଧ ।

କିଏ ବା କୁଟିଳ, ଜଟିଳ କିଏ ବା,

ସହଜ ଉପାୟ ସବୁଠାରୁ ସେବା ।

 

ସ୍ଥାବର ଜଙ୍ଗମ ତେଣୁ ଅବିରତ,

ଧରିଛନ୍ତି ଦୃଢ଼େ ମହା ସେବାବ୍ରତ ।

ସଂଯମ କର୍ମର ପ୍ରଥମ ସୋପାନ,

ସଂଯମରେ ହୁଏ ପରିପକ୍ୱ ଜ୍ଞାନ ।

 

ନ ପାରିଲେ ରଖି ତାହାକୁ ଅଖଣ୍ଡ,

କୋଟି ଚେଷ୍ଟା ସତ୍ତେ କର୍ମ ହୁଏ ପଣ୍ଡ ।

କରିବୁ ତୁ ସେବା ସଂଯମେ ସତତ,

ଆଚରିବୁ ଦୃତେ ସହିଷ୍ଣୁତା ବ୍ରତ ।

 

ସହିବୁ ନୀରବେ ସବୁ ଅବହେଳେ,

ହେବୁ ନାହିଁ ଧୈର୍ଯ୍ୟଚ୍ୟୁତ କେତେବେଳେ ।

ଅଭାବ ସହିତେ ରଚିବୁ ଆହବ,

ହାସ୍ୟମୁଖେ ସହି ତାହା ଉପଦ୍ରବ,

 

ରୋଧିଦେବୁ ତାର ଆଗମନ ପଥ,

କରିବୁ ତାହାକୁ ବ୍ୟର୍ଥ ମନୋରଥ ।

କ୍ରୋଧ ଅଭିମାନ କରିବୁ ବର୍ଜନ,

ନ କହିବୁ ଆନେ କଠୋର ବଚନ ।

 

ବିନୟ ବଚନେ ତୋଷିବୁ ସକଳେ,

ବିନୟୀର ଶତ୍ରୁ ନାହିଁ ଭୂମଣ୍ଡଳେ ।

ହେଲା ନାହିଁ ବୋଲି ସ୍ୱମତ ରକ୍ଷିତ,

ନୋହିବୁ ଚିନ୍ତିତ କ୍ରୁଦ୍ଧ ବିଚଳିତ ।

 

କାହାରି ସ୍ତୁତିରେ ହେବୁ ନାହିଁ ହୃଷ୍ଟ,

ହେବୁ ନାହିଁ ତଥା ନିନ୍ଦାବାଦେ ରୁଷ୍ଟ,

ନ ମଣିବୁ କେବେ ଆପଣାକୁ ଉଚ୍ଚ,

ବରଞ୍ଚ ମଣିବୁ ମାଟିଠାରୁ ତୁଚ୍ଛ ।

 

ନ ଦେଲେହେଁ କେହି ତୋ କଥାରେ କାନ,

ନ ବହିବୁ ତହିଁ ଭ୍ରମେ ଅଭିମାନ ।

ମାଗି ଦଣ୍ଡବତ, ଯାଚି ଆଶୀର୍ବାଦ,

ଶେଷଫଳ ନିଶ୍ଚେ ବିଷମ ପ୍ରମୋଦ ।

 

ନ କରିବୁ ବୃଥା ବାକ୍ୟେ ପ୍ରତିବାଦ,

ଅଲଣା ତୁଣର କି ମିଳିବ ସ୍ୱାଦ ।

କାହା କାର୍ଯ୍ୟ ହୀରା କାହା କାର୍ଯ୍ୟ କାଚ,

ନ କରିବୁ ସମାଲୋଚନା କଦାଚ ।

 

ଚାଲିବୁ ତୁ ହାତେ ମାପି ଚାଖଣ୍ଡକେ,

ଯାହାର ଯା ଇଚ୍ଛା କହୁ ତା ପଛକେ ।

ଏ ସଂସାର ଏକ ଅଭୁତ ସାମ୍ରାଜ୍ୟ,

ବିନା କାରଣରେ ଘଟେ ଏଥି କାର୍ଯ୍ୟ ।

 

ଅସୁଲଭ ଏଥି ନୁହେଁ ଶୂନ୍ୟନାଦ,

ମିଥ୍ୟା ଦୋଷାରୋପ, ବୃଥା ଅପବାଦ ।

ନ ଶୁଣିବୁ କେବେ ତାହା କାନ ଡ଼େରି,

ବାଜୁ ପଛେ ଯେତେ ନିନ୍ଦା-କୁତ୍ସା-ଭେରୀ ।

 

ଚାପୁଡ଼େ ତୋ ଗାଲେ ଦେଲେ କେ ବସାଇ,

ଆର ଗାଲ ଦେବୁ ତକ୍ଷଣେ ଦେଖାଇ ।

ସକଳ କାର୍ଯ୍ୟରେ ରହିବୁ ନୀରବ,

ନୀରବତା ମର୍ତ୍ତ୍ୟେ ଅମର୍ତ୍ତ୍ୟ ବିଭବ ।

 

ନ ଚାଲିବୁ ପରବୁଦ୍ଧିରେ ତୁ ବାଟ,

ନିଜେ ହେବୁ ଗୁରୁ ନିଜେ ହେବୁ ଚାଟ ।

କହିବ ତୋହର ବିବେକ ଯେ କାର୍ଯ୍ୟ,

ସାଧିବୁ ତୁ ତାହା କରି ଶିରୋଧାର୍ଯ୍ୟ ।

 

ସବୁପାୟେ କରି ଅର୍ଥ ଉପାର୍ଜନ,

ପରିବାର ସେବା କରିବୁ ରେ ମନ ।

ଆଶ୍ରିତ ପାଳନ କରି ଅଗ୍ରେ ସାର,

ପଶ୍ଚାତେ କରିବୁ ଅପର ବିଚାର ।

 

ମୂଳ ତରୁ ରସ ନ କଲେ ପ୍ରଦାନ,

ରହିବ କି ବଞ୍ଚି ଶାଖାପତ୍ରମାନ ।

ଦୀନ ଦୁଃଖୀ ହେଲେ ଉପସ୍ଥିତ ଦ୍ୱାରେ,

ସେବିବୁ ତାହାଙ୍କୁ ବିହିତ ସତ୍କାରେ,

 

ଧନାଭାବେ କହି ତୋଷିବୁ ବହନ,

ସମବେଦନାର ମଧୁର ବଚନ ।

ସହାନୁଭୂତିର ପଦେ କଥା ମୂଲ୍ୟ,

ସଙ୍ଗେ କୋଟି ମୁଦ୍ରା ନୁହେଁ ସମ ତୁଲ୍ୟ ।

 

ହେଉ ପଛେ ତାହା ବାଷ୍ପମୟ କଥା,

ମାତ୍ର ହରିନିଏ ଅନ୍ତସ୍ତଳ ବ୍ୟଥା ।

ଦୁଃଖୀ ପ୍ରାଣ ଏକା ତାହା ପାଇଁ ରଙ୍କା,

ପାଇଲେ ତା ତୁଚ୍ଛ ମଣେ ସୁନା ଟଙ୍କା ।

 

ଲୋଡ଼େ ସିନା ଦୁଃଖୀ କେବଳ ହୃଦୟ,

ତାହାହିଁ ତା ପକ୍ଷେ ସମ୍ପଦ ଅକ୍ଷୟ ।

ହୃଦୟୀ ସମୀପେ ହୃଦୟ ଯାତନା,

ନିବେଦି ସେ ଲଭେ ଅପାର ସାନ୍ତ୍ୱନା ।

 

ହୃଦୟୀ ନିକଟେ ଖୋଲିଯାଏ ତାର,

ଆତ୍ମାର ଅନ୍ତରତମ ରୁଦ୍ଧ ଦ୍ୱାର ।

ଭୁଲିଯାଏ ତହିଁ କ୍ଷଣେ ତୃଷା କ୍ଷୁଧା,

ଭୁଲିଯାଏ ପୁଣି ନିଜକୁ ସେ ସୁଦ୍ଧା ।

 

ଭୁଞ୍ଜେ ଯେ ଆନନ୍ଦ ସେ କାଳେ ସେ ଆହା,

ଅଗୋଚର ସ୍ୱପ୍ନ ସୁଖୀ ଭାଗ୍ୟେ ତାହା ।

ହୃଦୟର ବାଣୀ ନ ଶୁଣିଲେ କାନେ,

ଦରିଦ୍ର ହୃଦୟ ତୁଷ୍ଟ ନୁହେଁ ଦାନେ ।

 

ମନକଥା କହି ନ ଦେ ପଛେ ବିତ୍ତ,

ହରିବୁ ଦରିଦ୍ର-ନାରାୟଣ ଚିତ୍ତ ।

ପାତ୍ର ଦେଖି ଦାନ କରିବୁ କେବଳ,

ମାତ୍ର ନ ଢ଼ାଳିବୁ ସମୁଦ୍ରରେ ଜଳ ।

 

ଦୁଃଖୀ ଦୁଃଖ ଦେଖି ଦେବତାଙ୍କ ତୁର୍ଣ୍ଣ,

ଅନଶ୍ରୁ ନୟନ ହୁଏ ଅଶ୍ରୁପୂର୍ଣ୍ଣ ।

ପ୍ରତିବେଶୀ ସେବା ଶକ୍ତି ଅନୁସାରେ,

କରିବୁ ଆପଣା-ପର ନିର୍ବିଚାରେ ।

 

ଆଚରିବୁ ସାମ୍ୟ ନୀତି ସମୁଦାର,

ମଣିବୁ ବିଶ୍ୱକୁ ନିଜ ପରିବାର ।

ବିଶ୍ୱପ୍ରେମ ପଦେ ଅର୍ପି ଆତ୍ମବଳି,

ମିଳନ ପ୍ରବାହେ ପଡ଼ିବୁ ତୁ ଢ଼ଳି ।

 

ବିକୃତ ରୋଗୀକୁ ନ କରିବୁ ଘୃଣା,

ମାଗିବୁ ତା ଲାଗି ଦେବଙ୍କ କରୁଣା ।

ସେବାରେ ରୋଗୀର ଶମେ ଅନ୍ତର୍ଦାହା,

ମହା ଔଷଧିରେ ହୁଏ ନାହିଁ ତାହା ।

 

ପୋଛିଦେବୁ ଦୁଃଖୀ ନେତ୍ରୁ ଅଶ୍ରୁଧାର,

ତୀର୍ଥବାରି ସଙ୍ଗେ ଉପମା ଯାହାର ।

ଏହିରୂପେ ସେବା ସୁଯଜ୍ଞ ସମ୍ପାଦି,

ବହିବୁ ତୁ ବିଶ୍ୱ-ସେବକ ଉପାଧି ।

 

ପାର୍ଥିବ ଉପାଧି କେ ତାକୁ ନ ବଳେ,

ରାଜୋପାଧି ସ୍ଥାନ ସିନା ତାହା ତଳେ ।

କରୁଥିବୁ ସେବା ଆଜୀବନବ୍ୟାପୀ,

ମାତ୍ର ନ ଧରିବୁ ଫଳାଶା କଦାପି ।

 

ଫଳ ଯେ ନ ଲୋଡ଼େ ଫଳ ତାକୁ ଲୋଡ଼େ,

ବଳେ ବଳେ ଆସି ଝସି ପଶେ କ୍ରୋଡ଼େ ।

ସେହି ଏକା କର୍ମ, ନିଷ୍କାମ ଯେ କର୍ମ,

ସେହି ଏକା ମୁକ୍ତି, ସେହି ଶ୍ରେଷ୍ଠ ଧର୍ମ ।

 

ଦ୍ୱିତୀୟ ସର୍ଗ

ଶୁଣ ଶୁଣ ମନ ସେବା ବିବରଣ,

ତା ମହା ମହିମା ଦେବେ ଅକଳଣ ।

ସତତ ତୁ ସହ୍ୟ ଗୁଣ ପରିଗ୍ରହି,

ହାସ୍ୟମୁଖେ ଯିବୁ ଶୋକତାପ ସହି ।

 

ପର ମନେ କ୍ଳେଶ ଦିଏ ଯେ ମତ୍ସରୀ,

ହୀନଚେତା ସେହୁ ହିଂସ୍ରଜନ୍ତୁ ପରି ।

ନିଜେ ଦେହୀ ହୋଇ ଦେହୀକୁ କଷଣ,

ଅର୍ପେ ଯେ, ସେ ନିଶ୍ଚେ ପିଶାଚ ଭୀଷଣ ।

 

ମାତ୍ର ନୀରବରେ ସହେ ଯେ ସଂଯମୀ,

ଧ୍ରୁବଲୋକକୁ ସେ ଯାଏ ଅତିକ୍ରମି ।

ମହୀପ୍ରାଣୀଙ୍କର ସହି ଅତ୍ୟାଚାର,

ରଖିଛି ବଞ୍ଚାଇ ଭୁଞ୍ଜାଇ ଆହାର ।

 

ଶତ୍ରୁର ଯେ କରେ କଲ୍ୟାଣ ସାଧନ,

ସେହି ଜୀବନ୍ମୁକ୍ତ, ସେହି ମହାଜନ ।

ଗୋପନେ ଯେ ପୋଷି ରଖେ ଈର୍ଷାନଳେ,

ତା ପରି ଇତର ନାହିଁ ଭୂମଣ୍ଡଳେ ।

 

କହିଲେ ତାହାକୁ ନାରକୀ ଅଜ୍ଞାନୀ,

ନାରକୀର ସୁଦ୍ଧା ହେବ ମାନହାନି ।

ନ ପାରେ ଯେ ସହି ପର ଗେଲ କଥା,

ସେ କିପାଇଁ ଦିଏ ପର ମନେ ବ୍ୟଥା ।

 

ଆଘାତ ବେଦନା ଯାର ପରିଜ୍ଞାତ,

ନ ଦେବ ସେ କେବେ ଅପରେ ଆଘାତ ।

ପର କଥାରେ ଯା ପ୍ରାଣ ଯାଏ ଘାରି,

କେଉଁ ଲାଜେ ପରେ ଯାଏ ସେ ତିଆରି ।

 

ପର ପୀଡ଼ା ପୂର୍ବୁ ସ୍ମରିଲେ ଏ କଥା,

ଲଜ୍ଜାରୁଶେ ନିଶ୍ଚେ ହେଠ ହେବ ମଥା ।

ଦୁର୍ବଳ ପୀଡ଼ନ ନୁହେଁ ବଡ଼ପଣ,

ବଡ଼ପଣ ସିନା ଦୁର୍ବଳ ରକ୍ଷଣ ।

 

ବଡ଼ ବୋଲି ନିଜେ ନିଜକୁ ମଣିବା,

ଏଥୁ ବଳି ଅଛି ନିର୍ବୋଧତା କିବା ।

ତୃଣଠାରୁ ଗୁଳ୍ମ, ଲତା ଗୁଳ୍ମଠାରୁ,

ଲତାଠାରୁ ବଳି ବଡ଼ ପୁଣି ଦାରୁ ।

 

ବଡ଼ଠାରୁ ବଡ଼ ତହୁଁ ବଡ଼ ଅତି,

କ୍ରମେ ବହୁ ବଡ଼ ଜଗତେ ଅଛନ୍ତି ।

ଏହା ଜାଣି କିଏ କହିବ ମୁଁ ବଡ଼,

କି ସାହସେ ଭାଙ୍ଗି ଲଜ୍ଜାର ନିଗଡ଼ ।

 

ଚାହିଁଲେ ନିଜକୁ ଚାହିଁଦେଇ ଭବେ,

ଚୂର୍ଣ୍ଣ ହୋଇ ଗର୍ବ ଉଡ଼ିଯିବ ଲବେ ।

ନ କରିବୁ ମନ କେବେ ତୁ ବଢ଼ାଇ,

ହେବୁ ନାହିଁ ଲୋକହସା ତାହା ପାଇଁ ।

 

ସେବାରେ ନିଜକୁ କରିବୁ ସୁଦକ୍ଷ,

ଆତ୍ମସେବା ପ୍ରତି ରଖିଥିବୁ ଲକ୍ଷ୍ୟ ।

ଆତ୍ମରକ୍ଷା ପ୍ରତି ପ୍ରାଣୀର ଉଚିତ,

ଆତ୍ମସେବା ନାମେ ହୁଏ ତା କଥିତ ।

 

ଶରୀର ରକ୍ଷଣ କର୍ତ୍ତବ୍ୟ ସର୍ବର,

ଉଚ୍ଚ କଣ୍ଠେ ଘୋଷେ ପୁରାଣନିକର ।

ନିଜେ ଥିଲେ ହେବ ଜନସେବା କରି,

ହେବୁ ମନ ନିଜେ ନିଜର ପ୍ରହରୀ !

 

ବାହ୍ୟ ଶୌଚାଚାର ଭୋଜନ ଶୟନ,

କରିବୁ ତୁ ଯଥାକାଳେ ସମ୍ପାଦନ ।

ଇଷ୍ଟଦେବ ନାମ ସ୍ମରି ହୃଦୟରେ,

କରିନେବୁ ସ୍ୱଚ୍ଛ ଶୁଦ୍ଧ ଅଭ୍ୟନ୍ତରେ ।

 

ଇଷ୍ଟଦେବ ନାମ ସ୍ପର୍ଶମଣି ପ୍ରାୟେ,

ଛୁଇଁଲେ ସେ ଲୁହା ସୁନା ହୋଇଯାଏ ।

କରି ଆପଣାକୁ ଅପବିତ୍ର ଜ୍ଞାନ,

ନ କରିବୁ ଇଷ୍ଟସେବା ପ୍ରତ୍ୟାଖ୍ୟାନ ।

 

ଆତ୍ମାରୂପୀ ବ୍ରହ୍ମ ବସନ୍ତି ଯେ ଦେହେଁ,

ଅପବିତ୍ର ତାକୁ ନ ମଣ କେବେହେଁ ।

ଆତ୍ମାପୁରୁଷକୁ ପ୍ରଦାନି ଯାତନା,

ନ କରିବୁ କେବେ ଦେବ-ଉପାସନା ।

 

ଦେବୁ ଯଦି କ୍ଳେଶ ଆତ୍ମବ୍ରହ୍ମ ଦେବେ,

କାହାକୁ ତୁ ପୂଜା କରିବୁ ରେ ତେବେ ।

ଆତ୍ମା କୁଶଳରେ କୁଶଳ ସକଳ,

ଅନ୍ୟଥା ସାଧନା ହେବ ଯେ ବିଫଳ ।

 

ଉପବାସ ରହି ନ ଲୋଡ଼ିବୁ ମୁକ୍ତି,

ଅତୀବ ଦୁର୍ବଳ ସିନା ଏହି ଯୁକ୍ତି ।

ମିଳୁଥାନ୍ତା ଯେବେ ମୁକ୍ତି ଉପବାସେ,

ସହନ୍ତେ ଦରିଦ୍ରେ ଦୁଃଖ କି ସକାଶେ ।

 

ପଞ୍ଚାଗ୍ନି ସାଧନା, କଣ୍ଟକ ଶୟନ,

ଧର୍ମର ରାହା ଏ ନୁହେଁ କଦାଚନ ।

ଅଭୁତ ସାଧନା-ଦକ୍ଷ ବାଜୀକରେ,

ଦୁର୍ଲ୍ଲଭ କି ପାପ ତାଙ୍କ ସମାଜରେ ?

 

ତା-ହୃଦୟ ପ୍ରଭୁ ଦେବୋତ୍ତମ,

ସୁଜିବେ କି ଏଡ଼େ କଠୋର ନିୟମ ।

ବ୍ୟାକୁଳ ପ୍ରାଣରେ କଲେ ଅନ୍ୱେଷଣ,

ମିଳେ ଯଥା ତଥା ତାହାଙ୍କ ଦର୍ଶନ ।

 

ଖୋଜିଲେ ତାହାଙ୍କୁ ହୃଦୟ ମଧ୍ୟରେ,

ଅଧିଷ୍ଠିତ ତହିଁ ହୁଅନ୍ତି ସେ ଖରେ ।

ପୂଜିବୁ ତାହାଙ୍କୁ ହୃଦ ମଧ୍ୟେ ମନ,

କରିବୁ ନିଜର ପରକାଳ ଧନ୍ୟ ।

 

ସେ ମହାପୂଜାରେ ଲୋଡ଼ା ନୁହେଁ ଆନ,

ଭାବ ଏକା ତାର ପୂର୍ଣ୍ଣ ଉପାଦାନ ।

ମନୋମତ ସ୍ଥାନେ ବସି ଶୁଦ୍ଧମନେ,

ଧ୍ୟାୟିବୁ ତାହାଙ୍କୁ ମୁଦ୍ରିତ ନୟନେ ।

 

ଆକାଶେ ତାଙ୍କର ଜ୍ୟୋତିର୍ମୟ ମୂର୍ତ୍ତି,

ଅଙ୍କି ନିରୋଧିବୁ ନିଜ ବାହ୍ୟସ୍ମୃତି ।

ମନେ ମନେ ସୃଜି ସୁରଭି ସୁମନେ,

ସେ ମୂର୍ତ୍ତିକୁ ତହିଁ ମଣ୍ଡିବୁ ଯତନେ ।

 

ବସାଇବୁ ତାଙ୍କୁ ହୃଦୟ-କମଳେ,

ଧୋଇଦେବୁ ପାଦ ଭକ୍ତି-ତୀର୍ଥ ଜଳେ ।

ବିସୃଜି ମାନସେ ଷୋଡ଼ଶୋପଚାର,

ପୂଜିବୁ ତା ଅର୍ପି ପଦେ ଉପହାର ।

 

ପ୍ରାଣର ଭାଷାରେ ଜଣାଇବୁ ଯାହା,

ସମର୍ପଣ ମନ୍ତ୍ର ହେବ ନିଶ୍ଚେ ତାହା ।

କହିବୁ କେବଳ ଦୈନ୍ୟଗର୍ଭ ଭାଷା,

ମାତ୍ର ନ ପୋଷିବୁ ପ୍ରତିଦାନ ଆଶା ।

 

ବିନୟେ କହିବୁ ହେ ପ୍ରାଣଦେବତା,

ନାହିଁ ଏ ଭୃତ୍ୟର ଡ଼ାକିବା ଯୋଗ୍ୟତା ।

ନିଜ ଗୁଣେ ତୁମ୍ଭେ ଆସି ଦୟାମୟ,

ପୂର୍ଣ୍ଣକର ପ୍ରଭୁ ଶୂନ୍ୟ ଏ ହୃଦୟ ।

 

ସ୍ନେହରେ ଜନକ ଗ୍ରହନ୍ତି ଯେସନ,

ଶିଶୁ ସନ୍ତାନର ଦତ୍ତ ଧୂଳି ଅନ୍ନ,

ଘେନା ହେଉ ଦେବ ତେସନ ମୋ ପୂଜା,

ମୁଁ ଯେ ତୁମ୍ଭ ଶିଶୁ ସନ୍ତାନ ଅବୁଝା ।

 

ମାଗୁ ନାହିଁ ମୁକ୍ତି କିମ୍ୱା ଧନ ମାନ,

ଘେନ ଶିଶୁଖେଳ ଏତିକି ଜଣାଣ ।

ପ୍ରାଣ ଆବେଗରେ କହିବୁ ଏତିକି,

ବିନାପଣେ ହେବୁ ତାଙ୍କ ପଦେ ବିକି ।

 

ବହିବେ କରୁଣା ସେ କରୁଣାଧର,

ପ୍ରଦାନିବେ ତୋତେ ଅଯାଚିତ ବର ।

ମାଗେ ଯେ ତାହାଙ୍କୁ ପ୍ରକାଶିଣ କାକୁ,

ନ ଦିଅନ୍ତି କେବେ କିଛି ସେ ତାହାକୁ ।

 

ନ ମାଗେ ଯେ ତାକୁ ଦିଅନ୍ତି ସକଳ,

ପୂଣ୍ୟ ସେବା ବ୍ରତ ହୁଏ ତା ସଫଳ ।

କାମନା ନ କରି କରିଯିବୁ କାମ,

ଜାଣିବୁ କାମନା ଶ୍ରେୟ ପଥେ ବାମ ।

 

ଆବର କଥାଏ କରିବୁ ତୁ ରକ୍ଷା ।

ମାଳି ଜପି ନାମ ନ କରିବୁ ସଂଖ୍ୟା ।

ବିଫଳ ସେ ଜପ, ବିଫଳ ସେ ଶ୍ରମ,

ଘଟେ ତହିଁ ଇଷ୍ଟ ଧ୍ୟାନେ ବ୍ୟତିକ୍ରମ ।

 

ଇଷ୍ଟଦେବ ଜପ ନୁହେଁ ତା ନିଶ୍ଚୟ,

ସଂଖ୍ୟାର ଜପ ସେ ଏଥେ କି ସଂଶୟ ।

ଚଳେ ନାହିଁ ଧର୍ମରାଜ୍ୟେ ବ୍ୟବସାୟ,

ସଂଖ୍ୟାଧିକେ ହେବ ବେଶି ଧର୍ମ ଆୟ ।

 

ଏକାଗ୍ରତା ସହ ଥରେହିଁ ଜପିଲେ,

ଶୁଣ ତୁ ରେ ମନ ଯେଉଁ ପୂଣ୍ୟ ମିଳେ,

ନ ମିଳେ ଲକ୍ଷାଂଶୁ ଏକାଂଶ ତାହାର,

ଇତସ୍ତତଃ ଚିତ୍ତେ ଜପି କୋଟି ବାର ।

 

ଧ୍ୟାନେ, ଜପେ, ତପେ ଖାଲି ଏକା ମନ,

ନ କରିବୁ କେବେ ସମୟ ଯାପନ ।

କର୍ମଭୂମି ଏହି ପୃଥିବୀର ନାମ,

କରିବାକୁ ହେବ ଏଥି ସବୁ କାମ ।

 

ନିଜ ପାଇଁ କିମ୍ୱା ବିଶ୍ୱସେବା ପାଇଁ,

କରୁ ଯେଉଁ କର୍ମ ନିତି ଧାଇଁ ଧାଇଁ ।

କାୟମନୋପ୍ରାଣେ ସହି ବହୁ କ୍ଳେଶ,

ତାହା ସୁଦ୍ଧା ମନ ଈଶ୍ୱର-ଆଦେଶ ।

 

ତାହା କର୍ମଯଜ୍ଞ, ତାହା ଇଷ୍ଟ ଜପ,

ଭବ ତପୋବନେ ତାହା ମୁଖ୍ୟ ତପ ।

ରେ ଅସ୍ଥିର ମନ ଶୁଣି ଏ ବଚନ,

ହୋଇପାରେ ତୋର ସନ୍ଦେହ ଏସନ-

 

ଏକ ଯେବେ ବ୍ରହ୍ମସେବା, କର୍ମସେବା,

ନ ଧରିବ କିପାଁ ଗୋଟିକୁ ତେବେ ବା ।

ଶୁଣ ତାହା ମର୍ମ ଅବହିତ ଚିତ୍ତେ,

ତୁଟିଯିବ ତୋର ସନ୍ଦେହ ତୁରିତେ ।

 

କେବଳ ଅନ୍ନରେ ପୂରେ ତ ଉଦର,

ତେବେ କିପାଁ ଲୋଡ଼ା ବ୍ୟଞ୍ଜନ ଆବର ।

ଉଭୟ ସଂଯୋଗେ ପରିପାକ କ୍ରିୟା,

ହୁଏ ସମାହିତ, ପୁଷ୍ଟ ହୁଏ ହିଆ ।

 

ବ୍ରହ୍ମପୂଜା କର୍ମପୂଜା ପରସ୍ପର-

ମଧ୍ୟରେ ସମ୍ୱନ୍ଧ ବଜ୍ରୁ, ଦୃଢ଼ତର ।

ଉଭେ ଉଭୟର ସହାୟ ପ୍ରଧାନ,

ଗୋଟିକ ଅଭାବେ ନ ତିଷ୍ଠିବ ଆନ ।

 

ଇଚ୍ଛା, ଶକ୍ତି ବେନି ଏକତ୍ର ନ ହେଲେ,

ହୋଇପାରେ ନାହିଁ କାର୍ଯ୍ୟ କେତେବେଳେ ।

ସିନ୍ଧୁ ଜଳ ପୁଣି ଭାସ୍କର କିରଣ,

ଉଭୟ ସଂଯୋଗେ ଜନ୍ମେ ସିନା ଘନ ।

 

ସ୍ୱର୍ଣ୍ଣକାର ସ୍ୱର୍ଣ୍ଣ ବେନିଙ୍କ ବ୍ୟତୀତ,

ହେବ ଅଳଙ୍କାର କିରୂପେ ନିର୍ମିତ ।

ପ୍ରକୃତି ପୁରୁଷ ସଂଯୋଗର ଫଳ,

ପରିଦୃଶ୍ୟମାନ ଏ ବିଶ୍ୱମଣ୍ଡଳ ।

 

ଜ୍ଞାନ କର୍ମ ବେନି ସାହାଯ୍ୟେ ପାର୍ଥିବ-

ବନ୍ଧନୁ ବିମୁକ୍ତ ହୋଇଯାଏ ଜୀବ ।

କରୁଥିବୁ କାର୍ଯ୍ୟ ଆଳସ୍ୟ ନ ବହି,

ଜଳେ ତୈଳ ପ୍ରାୟେ ନ ମିଶିବୁ ତହିଁ ।

 

ଚାଲିଥିବୁ ଏକ ଦିଗେ ଲକ୍ଷ୍ୟ କରି,

ଯନ୍ତ୍ରପ୍ରଚାଳିତ ଘଡ଼ିକଣ୍ଟା ପରି ।

ସତ୍ୟ ପଦ ସେବି ଲଭିବୁ ନୈପୂଣ୍ୟ,

ଜାଣିବୁ ନିକର ସତ୍ୟ ମହାପୂଣ୍ୟ ।

 

ହେବୁ ପଛେ ମହା ବିପଦେ ପତିତ,

ମାତ୍ର ହେବୁ ନାହିଁ ସତ୍ୟୁ ବିଚଳିତ ।

ସତ୍ୟ ପାଳି ସତ୍ୟବୀର ଯୁଧିଷ୍ଠିର,

ଯାଇଥିଲେ ସ୍ୱର୍ଗେ ଘେନି ସ୍ୱଶରୀର ।

 

ସତ୍ୟରକ୍ଷା ହେତୁ ପେଷିଲେ କାନନେ,

ରାଜା ଦଶରଥ ପ୍ରାଣର ନନ୍ଦନେ ।

ସତ୍ୟର ମହିମା ଅନନ୍ତ ଅପାର,

ସତ୍ୟ ପାଇଁ ତ୍ୟାଗ କରିବୁ ସ୍ୱୀକାର ।

 

ତ୍ୟାଗଯୋଗେ ହୁଏ ସ୍ୱଭାବ ସଂସ୍କୃତ,

ତ୍ୟାଗଦ୍ୱାରା ସତ୍ୟ ହୁଏ ଅଳଙ୍କୃତ ।

କରେ ତ୍ୟାଗ ଜ୍ଞାନେ ପୂର୍ଣ୍ଣତା ପ୍ରଦାନ,

ସଂଯମର ତ୍ୟାଗ ସର୍ବୋଚ୍ଚ ସୋପାନ ।

 

ସତ୍ୟ, ତ୍ୟାଗ ବେନି ସାଧନାର ଟିକା,

ଶୁଣ ମନ ତାର ଉଜ୍ଜ୍ୱଳ ଦାୟିକା ।

ଥିଲେ ପୂର୍ବେ ଏକ ନୃପତି କୁମାର,

କରନ୍ତି ସେ ରାଜ୍ୟେ ବହୁ ଅତ୍ୟାଚାର ।

 

ସାମାନ୍ୟ ଦୋଷରେ ଦିନେ ଭୃତ୍ୟ ପ୍ରତି,

ବଢ଼ିଲା ତାଙ୍କର ରୋଷାନଳ ଅତି ।

କ୍ରୋଧ-ଅପଦେବ ଦୂରନ୍ତ ମହାନ,

ହରିନେଲା ତାଙ୍କ ହିତାହିତ ଜ୍ଞାନ ।

 

ମାରୁ ମାରୁ ମାରି ପକାଇଲେ ଭୃତ୍ୟେ,

ପୋଡ଼ିଦେଲେ ତାହା ଶବକୁ ନିଭୃତେ ।

ମାତ୍ର ପାପ କେବେ ରହେ ନାହିଁ ଛପି,

ରୋଧିଲେ ପ୍ରାଚୀରେ ପଳାଏ ସେ ଟପି ।

 

ତୁଳନ୍ତି ତାହାକୁ ସୋଲ ସଙ୍ଗେ ବୁଧେ,

ଚାଳେ ପାଣି ତଳୁ ଭାସି ଉଠେ ଊର୍ଦ୍ଧ୍ୱେ ।

ଏ ଗୁପ୍ତ ଘଟଣା କିଛିଦିନ ପରେ,

ପ୍ରବେଶିଲା ଦୈବେ ନୃପତି-କର୍ଣ୍ଣରେ ।

 

କୀର୍ତ୍ତିଚନ୍ଦ୍ର ପୁତ୍ର କୀର୍ତ୍ତି ଅଦଭୁତ,

ଶୁଣି ନରମଣି ହେଲେ ସ୍ତମ୍ଭୀଭୂତ ।

ନ ବହି ମମତା, ସ୍ନେହ କଣିକାଏ,

ବିଚାରର ଦିନ ଧାର୍ଯ୍ୟ କଲେ ରାଏ ।

 

ସାକ୍ଷ୍ୟ ଏ ବ୍ୟାପାରେ ପାଚକ ବ୍ରାହ୍ମଣ,

କରିବେ ନୃପତି ତା ସାକ୍ଷ୍ୟ ଗ୍ରହଣ ।

ଏଣେ ରାଜସୁତ ଶୁଣି ଏ ସମ୍ୱାଦ,

ଗଣିଲେ ସଭୟେ ବିଷମ ପ୍ରମାଦ ।

 

ହେଉ ରାଜା କିମ୍ୱା ପ୍ରଜାର ସନ୍ତାନ,

ରାଜଦଣ୍ଡୁ କାର ନାହିଁ ପରିତ୍ରାଣ ।

ହକାରି ପାଚକେ ତହୁଁ ରାଜସୁତ,

ଦେଖାଇଲେ ତାକୁ ଧନାଶା ବହୁତ ।

 

କହିଲେ ମୁଁ ତୋତେ କରୁଅଛି ମନା,

ନ କହିବୁ କେବେ ପ୍ରକୃତ ଘଟନା ।

କରୁଛି ମୁଁ ସତ୍ୟ ଧର୍ମନାମ ଧରି,

ରାଜା ପରି ଧନୀ ଦେବି ତୋତେ କରି ।

 

ଭାଷିଲା ପାଚକ ଶୁଣ ଯୁବରାଜ,

କି ଅଭୁତ କଥା କହୁଅଛ ଆଜ ।

ଧର୍ମ ନାମ ଧରି ପାପେ ପ୍ରବର୍ତ୍ତନା,

ଏହା କି ତୁମ୍ଭର ଯୋଗ୍ୟ ବିବେଚନା ।

 

ନ କର ଏ ଆଜ୍ଞା ନୃପତି ନନ୍ଦନ,

ନ ପାରିବି କରି ସତ୍ୟକୁ ଗୋପନ ।

ହେଉ ପଛେ ଅର୍ଥ ବିଶ୍ୱବନ୍ଦନୀୟ,

ମାତ୍ର ସତ୍ୟ ସଙ୍ଗେ ନୁହେ ତୁଳନୀୟ ।

 

ଜାଣୁ ଜାଣୁ ପାପ କରେ ଯେ ଗୋପନ,

ସେ ପାପ ତା କାନ୍ଧେ କରେ ଆରୋହଣ ।

ପ୍ରାଣକୁ ପଛକେ ଦେବି ଜଳାଞ୍ଜଳି,

ମାତ୍ର ନ ପାରିବି ସତ୍ୟେ ଦେଇ ବଳି ।

 

ଅର୍ଥ ମୂଲ୍ୟେ ସତ୍ୟେ କରେ ଯେ ବିକ୍ରୟ,

ଭୁଞ୍ଜେ ସେ ବର୍ବର ଭୀଷଣ ନିରୟ ।

ଶୁଣି ଏ ନିରାଶ ବାଣୀ ପାଚକର,

କ୍ରୁଦ୍ଧ ହେଲେ ମନେ ନରେଶ କୁମର ।

 

ଯଥାକାଳେ ହେଲା ବିଚାର ଆରମ୍ଭ,

କହିଲା ପାଚକ ସତ୍ୟ, ବହି ଦମ୍ଭ ।

ଯୁବରାଜ ହୋଇ ଦୋଷୀ ପ୍ରମାଣିତ,

ହେଲେ ସୁକଠୋର ଦଣ୍ଡରେ ଦଣ୍ଡିତ ।

 

ଲଭିଲେ ନୃମଣି ଯେବେ ଦେହାନ୍ତର,

ହେଲେ ଯୁବରାଜ ରାଜ୍ୟର ଈଶ୍ୱର ।

ପ୍ରତିହିଂସାନଳ ଥିଲା ଗୋପନରେ,

ଜଳିଲା, ସୁଯୋଗ ପାଇ ସେ ପ୍ରଖରେ ।

 

ମିଥ୍ୟା ଅପରାଧେ ପଡ଼ିଲା ବ୍ରାହ୍ମଣ,

ହେଲା ତାହା ପ୍ରତି ଶୁଳିଦଣ୍ଡାର୍ପଣ ।

ତହୁଁ ସେ ବ୍ରାହ୍ମଣେ ଘେନି କଟୁଆଳେ,

ଶୁଳିଆ ପଦାରେ ଉପସ୍ଥିତ କାଳେ,

 

ଅକସ୍ମାତ୍‌ ବେନି ହର୍ଯ୍ୟକ୍ଷପ୍ରବର,

ଉଭା ହେଲେ ଆସି ଫୁଲାଇ କେଶର ।

ଶୁଭିଲା ଶୂନ୍ୟରୁ ଅଶରୀରୀ ବାଣୀ,

କେ କହିଲା କେହି ନ ପାରିଲେ ଜାଣି-

 

‘‘ବଧିବ ବ୍ରାହ୍ମଣେ କି ଅଛି ସକ୍ଷମ

କାହା ପାଞ୍ଜି ପୋଛି ଦେଇଅଛି ଯମ ।

ସତ୍ୟସେବା ପୁଣି ତ୍ୟାଗସେବା ଯାର,

ବ୍ରତ, ତାକୁ କିଏ କରିବ ସଂହାର ।

 

ସେହି ତ୍ୟାଗ ସତ୍ୟ ସିଂହରୂପ ଧରି,

ଗ୍ରାସିବାକୁ ଏଥି ଉଭା ବିପ୍ର-ଅରି ।

ଶୁଣି କଟୁଆଳେ ଏ ବଜ୍ର ବଚନ,

କଲେ ଯାଇ ଭୟେ ନୃପେ ନିବେଦନ ।

 

ଉଡ଼ିଲା ସାହସ ଦୁଷ୍ଟ ନୃପତିର,

କମ୍ପିଲା ସଭୟେ ସର୍ବାଙ୍ଗ ଶରୀର ।

ଉଠି ସିଂହାସନୁ ଆସି ତରତରେ,

କଲା କ୍ଷମାଭିକ୍ଷା ବ୍ରାହ୍ମଣ-ପୟରେ ।

 

କରି ବହୁ ପୂଜା ଆଦରେ ତାହାକୁ,

ଘେନିଗଲା ଗୃହେ କହି ନାନା କାକୁ ।

ହର୍ଯ୍ୟକ୍ଷେ ବ୍ରାହ୍ମଣେ କରି ପ୍ରାଣଦାନ,

ଭଜିଲେ ପଲକେ କାହିଁ ଅନ୍ତର୍ଦ୍ଧାନ ।

 

ବୁଝ ମନ ସତ୍ୟ ତ୍ୟାଗର ମହିମା,

ମହାସିନ୍ଧୁ ପ୍ରାୟ ନାହିଁ ତାର ସୀମା ।

 

ତୃତୀୟ ସର୍ଗ

ଧର୍ମରାଜ୍ୟେ କେତେ ବିଧି-ହୀନତର,

ଅବସ୍ଥିତ ଯଥା ଗଙ୍ଗାରେ ହାଙ୍ଗର ।

ଏକଧର୍ମସେବୀ ଆନ ଧର୍ମୀ ପ୍ରତି-

କରିଥାନ୍ତି ଘୃଣା ପ୍ରଦର୍ଶନ ଅତି ।

 

ମାତ୍ର ବଡ଼ ନୀଚ ସଂକୀର୍ଣ୍ଣ ଏ ରୀତି,

ନୁହେଁ ଏ ଧର୍ମର ସମୁଦାର ନୀତି ।

ନିରୁପାଧି ଧର୍ମ ଅଦ୍ୱିତୀୟତର,

ନାହିଁ ତହିଁ ଭେଦ ଭଦ୍ର ବା ଇତର ।

 

ବେଦ ବାଇବେଲ କୋରାନ୍‌ ପୁରାଣ,

କେହି ନୁହେଁ ସାନ ସକଳେ ମହାନ ।

ସଲିଳ, ଉଦକ, ଜଳ, ପାଣି, ବାରି,

ଏକଇ ପଦାର୍ଥ ବହୁ ନାମଧାରୀ ।

 

ବିଧର୍ମାକୁ ଘୃଣା ନ କରିବୁ ମନ,

କରିବୁ ତାହାକୁ ପ୍ରେମେ ଆଲିଙ୍ଗନ ।

ହେଉ ପଛେ ଭିନ୍ନ ସାଧନା ବା ଭେକ,

ମାତ୍ର ସମସ୍ତଙ୍କ ଲକ୍ଷ୍ୟ ନିଶ୍ଚେ ଏକ ।

 

କେହି ଯାଏ ନାବେ, କେହି ପଦବ୍ରଜେ,

କେହି ଶକଟରେ କେହି ଅବା ଗଜେ,

ଏହିପରି ତୀର୍ଥଯାତ୍ରୀ ଲକ୍ଷ ଲକ୍ଷ,

ଯାନ୍ତି ସର୍ବେ କରି ଏକତୀର୍ଥେ ଲକ୍ଷ୍ୟ ।

 

ବିଧର୍ମୀକୁ ଦେବୁ ହୃଦୟେ ଆସନ,

ମାତ୍ର ନ କରିବୁ ବିଧର୍ମ ଗ୍ରହଣ ।

ସେହିପରି ବୌଦ୍ଧ ବ୍ରହ୍ମ ଆଦି ଧର୍ମ,

ସକଳର ମୁଖ୍ୟ ଲକ୍ଷ୍ୟ ପରଂବ୍ରହ୍ମ ।

 

ଧର୍ମନାମେ କେତେ ବୀଭତ୍ସ ଆଚାର,

ହୁଏ ଅବିହିତ ନାହିଁ ସଂଖ୍ୟା ତାର ।

ରଖିଥିବୁ ସଦା ଦୃଷ୍ଟି ସେଥି ପ୍ରତି,

ନ ପଶିବୁ କେବେ ଭ୍ରମେ ତାହା କତି ।

 

ଆତ୍ମ ବିବେକକୁ ଅର୍ପି ଜଳାଞ୍ଜଳି,

ନ ଯାଚିବୁ ଦେବେ ପଶୁପକ୍ଷୀ ବଳି ।

ଜୀବବଳିଠାରୁ ନାହିଁ ବଳି ପାପ,

କିଣାହୁଏ ତହିଁ ଦେବ-ଅଭିଶାପ ।

 

ଜୀବ ପିତାମାତା ଦେବଦେବୀଗଣ,

କରିବେ କି ଅହୋ, ସନ୍ତାନେ ଭକ୍ଷଣ ।

କେଉଁ ପିତାମାତା ପାମରୀ ପାମର

ସନ୍ତାନହନ୍ତାକୁ ଦେବ ତୋଷେ ବର ।

 

ଧର୍ମ ବୋଲି ଭଣେ ଯେ ଶାସ୍ତ୍ର ହତ୍ୟାକୁ,

ଦୂରୁ ଶତକୋଟି ଦଣ୍ଡବତ ତାକୁ ।

ପର ପ୍ରାଣ ଦେଇ ରଖେ ଯେ ସ୍ୱପ୍ରାଣ,

ପ୍ରାଣୀ ନୁହେଁ ସେହୁ ଅପ୍ରାଣ ପାଷାଣ ।

 

ପ୍ରାଣେ ପ୍ରାଣେ ଛନ୍ତି ବ୍ରହ୍ମ ଜଗନ୍ନାତା,

ମାତୃହତ୍ୟା ପାପ କରେ ବଳିଦାତା ।

ମିଳୁଥିଲେ ପ୍ରାଣ ବଦଳେ ଜୀବନ,

ମାନବ ସୃଷ୍ଟିରେ ନ ଥାନ୍ତା ମରଣ ।

 

ଅନ୍ୟର ଜୀବନ କରେ ଯେ ବିନାଶ,

ଅକାଳରେ କାଳ କରେ ତାକୁ ଗ୍ରାସ ।

ଲାଞ୍ଚେ ବଶୀଭୂତ ନୁହନ୍ତି ଦେବତା,

ମାନବ-ସୁଲଭ ସିନା ସେ କୁପ୍ରଥା ।

 

ନୁହନ୍ତି ଦେବତା ପେଟବିକଳିଆ,

ହୋଇଯିବେ ତୁଷ୍ଟ ଖାଇ ମୁଆଁ, ଲିଆ ।

ଯାହା ଦତ୍ତ ଖାଦ୍ୟେ ଜୀବିତ ପ୍ରାଣୀଏ,

କି ଦ୍ରବ୍ୟେ ତାହାଙ୍କୁ ତୋଷିବ ବା କିଏ ।

 

ଯାହା ଦ୍ରବ୍ୟ, ତାହା ତାକୁ ସମର୍ପଣ,-

କରିବା କେବଳ ଅଲୋଜୁକପଣ ।

ନ ଲୋଡ଼ନ୍ତି ଦେବେ କ୍ଷୀରି, ପିଠା, ଡାଲି,

ହୃଦୟର ଭାବ ଲୋଡ଼ନ୍ତି ସେ ଖାଲି ।

 

ତାହାହିଁ ତାହାଙ୍କୁ କରିବୁ ଅର୍ପଣ,

ନ ହେବୁଟି କେବେ ଭକ୍ତିରେ କୃପଣ ।

ନିର୍ମାୟ ନିଷ୍କ୍ରିୟ ବ୍ରହ୍ମଚାରୀ ବ୍ରତ,

ବାହ୍ୟ ଚହଟରେ ନ ହେବୁ ଆସକ୍ତ,

 

ବ୍ରହ୍ମଚାରୀ ଆତ୍ମ-ଉଦରସର୍ବସ୍ୱ,

କର୍ମ ପରିତ୍ୟାଗୀ ନିଖଟୁ ଅଳସ ।

ବିଶ୍ୱ-ମଙ୍ଗଳ ସେ କିଛି ସାଧେ ନାହିଁ,

ତାହା କର୍ମ ସିନା ଏକା ତାହା ପାଇଁ ।

 

ନ ଧାରେ ସେ ଜନ-ହିତଚିନ୍ତା ଧାର,

ବଢ଼ାଏ ସେ ଖାଲି ସମାଜର ଭାର ।

କର୍ମ ତେଜି ହୋଇ ନଖ ଶ୍ମଶ୍ରୁଯୁକ୍ତ

ବୁଲୁଥିଲେ କେହି ହେବ ନାହିଁ ମୁକ୍ତ ।

 

ହେଉଥିଲେ ତାହା ଭଲ୍ଲୁକ କେଶରୀ,

ଯାଇ ସାରନ୍ତେଣି ପଶୁତ୍ୱର ତରି ।

ଶତ ଦେବ-ସେବା କୋଟି ତପ ବ୍ରତ,

କର୍ମସେବା ବିନା ହୁଏ ସବୁ ବ୍ୟର୍ଥ ।

 

ଅତଏବ ମନ, ନ ହେବୁ ସନ୍ନ୍ୟାସୀ,

କରିଯିବୁ କର୍ମ ହୋଇ ଗୃହବାସୀ ।

ମାତ୍ର ସବୁ କର୍ମେ ହେବୁ ଇଚ୍ଛାଶୂନ୍ୟ,

ନିରିଚ୍ଛା କର୍ମର ଉପନାମ ପୂଣ୍ୟ ।

 

ସୁମରିବୁ ସଦା ଜୀବନ ଅନିତ୍ୟ,

ରଚିଯିବୁ ଚାଣ୍ଡେ ସୁକର୍ମ-ସାହିତ୍ୟ ।

କରିବାକୁ ହେବ କାଲିକି ଯେ କାମ,

କରିବୁ ତା ଆଜି ନ ଭଜି ବିଶ୍ରାମ ।

 

ବେଳ ଓଳି କାର୍ଯ୍ୟ ସାଧିବୁ ସକାଳେ,

ବିଳମ୍ୱରେ ବିଘ୍ନ ଶ୍ରେୟଟି ସସ୍କାଳେ ।

ଗୃହାଶ୍ରମେ ରହି ଆଚରିବୁ କର୍ମ,

ପକାଇ ପୟରେ ମସ୍ତକର ଘର୍ମ ।

 

ଗୃହାଶ୍ରମ ସମ ପୂଣ୍ୟାଶ୍ରମ ନାହିଁ

ସକଳ ଆଶ୍ରମେ ରଖେ ସେ ବଞ୍ଚାଇ ।

ରସ ଦେଇ ରସା ଆପଣା ଦେହରୁ,

ବଞ୍ଚାଇ ଯେସନ ରଖେ ବିରୁ ତରୁ ।

 

କୃଷିଦ୍ୱାରା କରି ଶସ୍ୟ ଉତ୍ପାଦନ,

ଲକ୍ଷ ଲକ୍ଷ ଜୀବେ ଅର୍ପେ ଗୃହୀ ଅନ୍ନ ।

କରେ ଗୃହୀ ଯେଉଁ ମୁଷ୍ଟି ଭିକ୍ଷା ଦାନ,

ତୁଲ୍ୟ ନୁହେଁ ତାର ଜପ ଯଜ୍ଞ ଧ୍ୟାନ ।

 

କ୍ଷୁଧାତୁରେ ଅନ୍ନ, ତୃଷାତୁରେ ଜଳ

ଦେଇ ଲଭେ ଗୃହୀ ଚତୁର୍ବର୍ଗ ଫଳ ।

ହିମାଦ୍ରି, ପ୍ରମାଣେ କଲେ ସ୍ୱର୍ଣ୍ଣ ଦାନ,

ଅନ୍ନମୁଷ୍ଟି ସଙ୍ଗେ ନୁହେଁ ତା ସମାନ ।

 

ଗୋ-ସେବାରେ ଗୃହୀ କରେ ପୂଣ୍ୟାର୍ଜନ,

ସେ ପୂଣ୍ୟେ ସେ ଲଭେ ଦେବତା ଆସନ ।

ବର୍ଣ୍ଣିବ ଅନନ୍ତ ଗୋମାହାତ୍ମ୍ୟ କିଏ,

ରୋମ ଗୋଟିକେ ତା’ ଦେବତା ଗୋଟିଏ ।

 

ଗୋଜାତି ମହତ୍ତ୍ୱ ଅକଳିତ ଜାଣି,

ସେବୁଥିଲେ ସ୍ୱୟଂ କୃଷ୍ଣ ବେଣୁପାଣି ।

ଗୋଜାତିର ଦାନ ନବନୀତ, ଘୃତ,

ଯଜ୍ଞର ହବି ସେ ମର୍ତ୍ତ୍ୟର ଅମୃତ ।

 

ଯଜ୍ଞରୁ ସଂଜାତ ବାରିଗର୍ଭ ଘନ,

ବାରି ବର୍ଷିକରେ ପ୍ରକୃତି ପାଳନ ।

ଦେବଶକ୍ତି ନିଶ୍ଚେ ଗୋଶରୀର ଧରି,

ବିଶ୍ୱହିତ ଅର୍ଥେ ଅଛି ଅବତରି ।

 

ପ୍ରତିଦିନ ମନ କରିବୁ ଗୋସେବା,

ଗୋଶରୀରେ ଗଙ୍ଗା ଗୋଦାବରୀ, ରେବା ।

ସ୍ନାନ ଆର୍ଦ୍ରବାସେ ଆର୍ଯ୍ୟବଧୂଗଣ,

ଗୋଧନେ ସୁଦୁର୍ବା କରାନ୍ତି ଭକ୍ଷଣ

 

ଗୁଢ଼ ଅର୍ଥ ସିନା ଗୋସେବା ତାହାର,

ଆର୍ଯ୍ୟର ଏ ନୀତି ପରମ ଉଦାର ।

ମାନବ ଭାଗ୍ୟରେ ଗୋସୃଷ୍ଟି ବିଧାନ,

ବିଧିର ଅମୃତମୟ ମହାଦାନ ।

 

ଗୃହାଶ୍ରମେ ହୁଏ ଗୋସେବା ସୁବିଧା,

ଚାଲିବୁ ତୁ ମନ ସେହି ବାଟେ ସିଧା ।

ପୁରାଣ-ପ୍ରଣେତା ଋଷି ତୁଙ୍ଗଯଶା,

କରିଛନ୍ତି ଗୃହାଶ୍ରମର ପ୍ରଶଂସା ।

 

ସିଦ୍ଧକ୍ଷେତ୍ର ତାହା ଅମର ବାଞ୍ଛିତ,

କର୍ମଯଜ୍ଞ ତହିଁ ହୁଏ ନିର୍ବାହିତ ।

ନିବସିବୁ ଗୃହେ ଘେନି ପରିବାର,

ହେବ ତହିଁ ଲଘୁ ଜୀବନର ଭାର ।

 

ଲଭି ସ୍ୱଜନଙ୍କ ସଙ୍ଗ-ସହାୟତା,

ସେବାର ସୁଯୋଗ ଭୁଞ୍ଜିବୁ ସର୍ବଥା ।

ଗୃହଯୋଗୀ ହୋଇ କରିବୁ ସାଧନା,

ଗୃହୀର ତପସ୍ୟା କର୍ମ ଆରାଧନା ।

 

ସାଧନାରେ ମନ, ମିଳେ ଯେ ଆନନ୍ଦ,

ନ ଥାଏ ସିଦ୍ଧିରେ ସେ ଆନନ୍ଦ ଗନ୍ଧ ।

ନୁଆଁଇବୁ ପ୍ରେମେ ଅପ୍ରେମୀର ମଥା,

ସାଧୁତା ବଳରେ ଅସାଧୁର ତଥା ।

 

ନ ଫୁଲାଇ କେବେ ଗୁଣକୁ ନିଜର,

ଫେଣାଇବୁ ସଦା ସ୍ୱଦୋଷନିକର ।

ଫେଣାଇବୁ ଯେତେ ଦୋଷେ ଅନର୍ଗଳ,

ତେତେ ସେ ଦିଶିବ ତୋ ନେତ୍ରେ ଉଜ୍ଜ୍ୱଳ ।

 

ନିଜ ଗୁଣେ ଅନ୍ଧ ଥିବୁ ସାବଧାନ,

ମାତ୍ର ପର ଗୁଣେ ହେବୁ ଚକ୍ଷୁଷ୍ମାନ ।

ନ ଖୋଜିବୁ ମାଛି ପରି ପୂଜ ରକ୍ତ,

ଅଳି ପରି ହେବୁ ମଧୁପାନେ ରତ ।

 

ହେବୁ କୁଲା, ମାତ୍ର ନ ହେବୁ ଚାଲୁଣୀ,

କେଉଟୁଣୀ ନୋହି ହେବୁ ରେ ମାଲୁଣୀ ।

ଆତ୍ମବିସ୍ମୃତିର ଅମଳ ନ ଖାଇ,

ଯୌବନକୁ ଦେବୁ ଶୈଶବେ ବୁଡ଼ାଇ ।

 

ଆପଣାକୁ ସଦା ରଖିବୁ ଗୋପନ,

କରୁଥିବୁ ତାର ଗୁଣ ପ୍ରଖ୍ୟାପନ ।

ବହୁରୂପୀ ନୋହି କୃକଳାସ ପରି,

ଥିବୁ ଦୁଃଖେ ସୁଖେ ଏକଭାବ ଧରି ।

 

ଦେଖାଇବା ପାଇଁ ସମାଜେ ଶ୍ରେଷ୍ଠତା,

ମଣ୍ଡାଇବୁ ନାହିଁ ଶରୀରେ ରଙ୍ଗତା ।

ଚକ୍ଷୁଲଜ୍ଜାବଶେ ନ ଅର୍ଜିବୁ ପାପ,

ହେବୁ ନାହିଁ କେବେ ଦୁମୁଣ୍ଡିଆ ସାପ ।

 

ଟିଙ୍କ ପରି ଲାଗି ଗାଈପହ୍ନାଚିରେ,

ନ ଶୋଷିବୁ ଦୁଗ୍‌ଧ, ତେଜି ତୁ ରୁଧିରେ ।

ତମ୍ପ ସାପ ପ୍ରାୟ ଉଗ୍ରତା ନ ଧରି,

ମହୀଲତା ଧର୍ମ ଥିବୁ ରେ ଆଚରି ।

 

ନ ହେବୁ ଯଦ୍ୟପି ଛିଦ୍ରାନ୍ୱେଷୀ କୀଟ,

ପିନ୍ଧିବୁ ମସ୍ତକେ ମହିମା କିରୀଟ ।

ଶୁଣ ଶୁଣ ମନ ହୋଇ ଅବହିତ,

ରାଜସେବା କାର୍ଯ୍ୟେ ନ ହେବୁ କୁଣ୍ଠିତ ।

 

ଜନେଶ୍ୱର ନିଶ୍ଚେ ମର୍ତ୍ତ୍ୟର ଦେବତା,

ପ୍ରକୃତିପୁଞ୍ଜର ଶିରୋରକ୍ଷୀ ଛତା ।

ରାଜା, ପ୍ରଜାପିତା ଆଦର୍ଶ ଶିକ୍ଷକ,

ଇହକାଳର ସେ ପରମ ରକ୍ଷକ ।

 

ଶାସନ୍ତି ପାଳନ୍ତି ନ୍ୟାୟ ନିକ୍ତି ଧରି,

ପ୍ରଜାଙ୍କର ଧନ ଜୀବନ ପ୍ରହରୀ ।

ଧର୍ମଦଣ୍ଡ କରେ କରି ସେ ଧାରଣ,

କରନ୍ତି ପ୍ରଜାର ଧର୍ମ ସଂରକ୍ଷଣ ।

 

ରାଜାଙ୍କ ଜୀବନ ନୁହେଁ ରାଜା ପାଇଁ,

ଜନହିତ ଲାଗି ସୃଷ୍ଟ ଜନସାଇଁ ।

ରାଜନୀତି ସୂତ୍ର ଦୃଢ଼ ବିଲକ୍ଷଣ,

ଗୁନ୍ଥା ତହିଁ ପ୍ରଜା ଜୀବନ ମରଣ ।

 

ହେଲେ ସେହି ସୂତ୍ର କିଞ୍ଚିତ କୋହଳ,

ଦଣ୍ଡକେ ସମାଜ ହେବ ବିଶୃଙ୍ଖଳ ।

ହିଂସା ହତ୍ୟା ଆଦି ବୀଭତ୍ସ ବ୍ୟାପାର-

ଘଟି, ଜନ ସୃଷ୍ଟି ହେବ ଛାରଖାର ।

 

ପ୍ରଜା ପିଣ୍ଡ, ରାଜା ସେ ପିଣ୍ଡର ପ୍ରାଣ,

ସାଧନ୍ତି ସେ ସଦା ପ୍ରଜାର କଲ୍ୟାଣ ।

ପ୍ରଜାଙ୍କର ରାଜା ସେବକ ମହତ,

ଜନସେବା ତାଙ୍କ ଜୀବନର ବ୍ରତ ।

 

କରିବୁ ସାହାଯ୍ୟ ତାଙ୍କୁ ଯଥାଶକ୍ତି,

ରାଜକର ସହ ସମର୍ପିବୁ ଭକ୍ତି ।

ଲୋଡ଼ା ହେଲେ ପ୍ରାଣ ଦେବୁ ରାଜକାର୍ଯ୍ୟେ,

ବସିବୁ ସେ ଫଳେ ପୂଣ୍ୟମୟ ରାଜ୍ୟେ ।

 

ନ କରିବୁ ଭ୍ରମେ ରାଜଦ୍ରୋହ ପାପ,

ଦଂଶିବଟି ରାଜଦୋଷ-ନାଗସାପ ।

ସେ ମହାପାପର ନାହିଁ ପ୍ରାୟଶ୍ଚିତ୍ତ,

ରହିବୁ ସେ ପକ୍ଷେ ଚିର ସତର୍କିତ ।

 

ଜାଣିବୁ ସେ ବିଷ ଉତ୍କଟ ସର୍ବତ୍ର,

ବ୍ୟର୍ଥ ତାହା ପାଶେ ଗୁଣିଆର ମନ୍ତ୍ର ।

ଘାରିବ ସେ ବିଷ ଶିରା ପ୍ରଶିରାରେ,

ନ ଝଡ଼ିବ ତାହା ପରଶୁକେଦାରେ । *

* - ପଦବିଶେଷ

ରାଜଶକ୍ତି ଉଗ୍ର, ଦୈବଶକ୍ତି ପ୍ରାୟେ,

ଗଢ଼ା ତାହା ପ୍ରଜାଶକ୍ତି ସମବାୟେ ।

ପାଳିବୁ ରାଜାଜ୍ଞା ଦେବଆଜ୍ଞା ଯଥା,

ନୃମଣି ଚରଣେ ଲଗାଇବୁ ମଥା ।

 

ଦେଶମାତୃକାର ପବିତ୍ର ପୟର-

ସେବାରେ ତୁମ ମନ ଥିବୁ ରେ ତତ୍ପର ।

ମାତୃମହୀ ସ୍ୱର୍ଗ, ପୂଣ୍ୟେ ଅଳଙ୍କୃତ,

ମାତୃଭାଷା ତହିଁ ଦୁର୍ଲ୍ଲଭ ଅମୃତ ।

 

ସେବେ ଯେ ତା ପଦ ସେ ନିଶ୍ଚେ ଅମର,

ବିଶ୍ୱ ନମସ୍ୟ ସେ ମହା ଭାଗ୍ୟଧର ।

ମାନବ ଜୀବନ ମାନବର ଆଶା,

ରଖିଛି ବଞ୍ଚାଇ ସିନା ମାତୃଭାଷା ।

 

ମନୋଗତ ଭାବ ଭାଷା ରୂପ ଧରି,

ଆନ ହୃଦେ ପଶି ଉଠାଏ ଲହରୀ ।

ଭାଷା ଯୋଗେ ହୁଏ ମାନବ ଜଗତ

ନିୟନ୍ତ୍ରିତ, ପୁଣି ଚାଳିତ ସତତ ।

 

କରେ ମାତୃଭାଷା ଆତ୍ମାକୁ ବିଶୁଦ୍ଧ,

ମାନବ ସମାଜ ତା ଲାଗି ସମୃଦ୍ଧ ।

ମାତୃଭାଷା ଏକା ମାନବର ସାହା,

ଦେଖାଏ ସେ ଜନେ ଜୀବନର ରାହା ।

 

ମାନବ ଭାଗ୍ୟେ ସେ ମଙ୍ଗଳ ଅତୁଲ,

ଦେବତା-ପ୍ରସାଦୀ ପାରିଜାତ ଫୁଲ ।

ଖଟିବୁ ତା’ ପଦେ ହୋଇ ସେବାଦାସ,

ସାରସ୍ୱତ-ସ୍ୱର୍ଗେ ଲଭିବୁ ନିବାସ ।

 

ଚତୁର୍ଥ ସର୍ଗ

କଳ୍ପେ ପରମାୟୁ ଘେନି କେହି କବି,

ବର୍ଣ୍ଣିବ ଯଦ୍ୟପି ମହୀରେ ସମ୍ଭବି,

ତଥାପି ସେ ସେବା ମହିମାର ଲେଶ,

ନ ପାରିବ କରି ଜୀବନରେ ଶେଷ ।

 

ଶୁଣ ଶୁଣ ମନ ସେବା ଶୁଭ ଫଳ,

କଳୁଷିତ ଜ୍ଞାନ ହେବ ସୁନିର୍ମଳ ।

ଦିନେ ଅତି ଦୀନା ବନ୍ୟନାରୀ ଜଣେ,

ଯାଇଥିଲା ଦୂରେ କାଷ୍ଠ ଆହରଣେ ।

 

ଦଇବେ ଥିଲା ସେ ପୂର୍ଣ୍ଣ ଗର୍ଭବତୀ,

ପ୍ରସବିଲା ପୁତ୍ର ଶୋଭାବନ ଅତି ।

ହୋଇ ସେ ଶିଶୁର କ୍ରନ୍ଦନେ ଆହୂତ

ମିଳିଲା ଶାର୍ଦ୍ଦୁଳରୂପୀ ଯମଦୂତ ।

 

ପ୍ରସୂତେ ଉପେକ୍ଷି ପ୍ରସୂତିକୁ ଘେନି,

ପଳାଇଲା ବ୍ୟାଘ୍ର ଭେଦି ବନଶ୍ରେଣୀ ।

ପ୍ରଚଣ୍ଡ ନାମରେ ଦୁଷ୍ଟ ଦସ୍ୟୁପତି,

କରିଥିଲା ସେହି କାନ୍ତାରେ ବସତି ।

 

ରାଜା ପ୍ରାୟ ତାର ବିପୁଳ ସମ୍ପତ୍ତି,

ମାତ୍ର ଦସ୍ୟୁବର ଥିଲା ନିଃସନ୍ତତି ।

ଶୁଣି ସଦ୍ୟଜାତ ଶିଶୁଣ କ୍ରନ୍ଦନ

ମିଳିଲା ସେ ଆସି ସେଠାରେ ବହନ ।

 

ଦେଖିଲା ସୁନ୍ଦର ଶିଶୁ ଶଶୀ ପରି,

ପଡ଼ିଛି କାନନ ଆଲୋକିତ କରି ।

ଭାବିଲା ସେ ହେରି ଶିଶୁ ନବଜାତ,

ପଡ଼ିଛି କି ଖସି ସ୍ୱର୍ଗୁ ପାରିଜାତ ।

 

ଅସ୍ଥାନେ ପତିତ କିବା ରତ୍ନଟିଏ,

ଅବା ବନଦେବୀ କ୍ରୀଡ଼ା ପୁତ୍ତଳୀ ଏ ।

କେବଣ ସଦୟ ଦେବତା ପ୍ରଧାନ,

ମନ ଜାଣି ମୋତେ କଲା ପୁତ୍ରଦାନ ।

 

ପାଳିବି ଏହାକୁ ନିଜ ପୁତ୍ରବତ,

ରଖିବି ଶିଶୁର ନାମ ଦେବଦତ୍ତ ।

ଚାହିଁଥିଲି ଉଠି ପ୍ରାତେ କାହା ମୁଖ,

ଖଣ୍ଡିଲା ଆଜି ମୋ ଆଜୀବନ ଦୁଃଖ ।

 

ଏହା ଭାବି ତୋଳି ଶିଶୁଟିକୁ ଅଙ୍କେ,

ଘେନିଗଲା ଦସ୍ୟୁ ସ୍ୱଗୃହେ ନିଃଶଙ୍କେ ।

କି ମନ୍ତ୍ରରେ ଶିଶୁ କରେ ବିଶ୍ୱ ଜୟ,

ତରାଳାଏ ଲୌହ କଠିନ ହୃଦୟ ।

 

ଦସ୍ୟୁ ହୃଦ ଯଥା ନୀରସ ଉପଳ,

କରିଦେଲା ତାକୁ ସ୍ନେହରେ ସଜଳ ।

ବଢ଼ିଲା ବାଳୁତ ଦସ୍ୟୁର ଆଗାରେ,

ବଢ଼େ ଯଥା ବିଦ୍ୟା ନିତ୍ୟ ବ୍ୟବହାରେ ।

 

ଐଶ୍ୱର୍ଯ୍ୟ ମଧ୍ୟରେ ବଢ଼ିଲ ବାଳକ,

ପତ୍ର ମଧ୍ୟେ ଯଥା କୁସୁମ କୋରକ ।

ବଢ଼ିଲା ତା ସହ ଦସ୍ୟୁର ମମତା,

ଇନ୍ଦୁ ସଙ୍ଗେ ସଙ୍ଗେ ସିନ୍ଧୁ ବୃଦ୍ଧି ଯଥା ।

 

ଯଥାକାଳେ ସେହି ଦସ୍ୟୁର ନନ୍ଦନ,

ଯୌବନରେ ଆସି କଲା ପଦାର୍ପଣ ।

ଦସ୍ୟୁବୃତ୍ତିରେ ସେ ହେଲା ଧୁରନ୍ଧର,

ଧନଲୋଭେ ହତ କଲା ବହୁ ନର ।

 

ପିତାଠାରୁ ବଳି ହେଲାକ ଦୁର୍ଦ୍ଧର୍ଷ,

ଏହିରୂପେ ଗଲା ବିତି କେତେ ବର୍ଷ ।

ଯଥାସମୟରେ ବୃଦ୍ଧ ଦସ୍ୟୁପତି,

ପ୍ରାଣ ତେଜି କଲା ପରଲୋକେ ଗତି ।

 

ତହୁଁ ଦେବଦତ୍ତ ଶଠ ପାପାଚାରୀ,

ବିପୁଳ ଧନର ହେଲା ଅଧିକାରୀ ।

ବଡ଼ କୃପଣ ସେ, କେବେ ହେଲେ ହୁଡ଼ି,

କରେ ନାହିଁ ବ୍ୟୟ କଡ଼ାଏ କଉଡ଼ି ।

 

ନ ଭୁଞ୍ଜି ନ କରି ଦାନ, ବିତରଣ,

ଶୁଙ୍ଘି ଶୁଙ୍ଘି ଧନ ମରନ୍ତି କୃପଣ ।

ତୃପ୍ତ ନୁହେଁ ତାଙ୍କ ଧନର ପିପାସା,

ଯେତେ ବଢ଼େ ଧନ ତେତେ ବଢ଼େ ଆଶା ।

 

ଦିନେ ଦେବଦତ୍ତ ପଥ ପାର୍ଶ୍ୱେ ଯାଇ,

ଲୁଚି ରହିଥିଲା ପଥିକକୁ ଚାହିଁ ।

ଦଇବଯୋଗରେ କେତେ କ୍ଷଣ ପରେ,

ଆସିଲା ବ୍ରାହ୍ମଣ ଜଣେ ସେ ପଥରେ ।

 

କର୍ଣ୍ଣରେ ତାହାର ସୁବର୍ଣ୍ଣ କୁଣ୍ଡଳ,

ଦ୍ରୁତଗତି ହେତୁ ଦୋଳେ ଅବିରଳ ।

ଦେଖି ସେ କୁଣ୍ଡଳ ଦେବଦତ୍ତ ଚିତ୍ତ,

ହେଲା ଅନବାର୍ଯ୍ୟ ଲୋଭେ ଲାଳାୟିତ ।

 

ତହୁଁ ସ୍ଥୂଳ ଯଷ୍ଟି କରି ଉତ୍ତୋଳନ,

ବ୍ରାହ୍ମଣ ବଧାର୍ଥେ ଧାଇଁଲା ବହନ ।

କହିଲା ହୁଙ୍କାରି ଦ୍ୱିଜ ହୋଇ ରୁଷ୍ଟ,

ଦୂରେ ରହ ପାପୀ ନରାଙ୍ଗାର ଦୁଷ୍ଟ ।

 

କଲା ତାକୁ ଦ୍ୱିଜ ସ୍ତମ୍ଭୀଭୂତ ଖରେ,

ଆଧ୍ୟାତ୍ମିକ ମହା-ଶକ୍ତି ପ୍ରଭାବରେ ।

ନ ପାରିଲା ହୋଇ ଅଗ୍ରସର ରାଢ଼,

ହୋଇଗଲା ଦେହ ଅସ୍ପନ୍ଦ ଅସାଢ଼ ।

 

ନ ପାରିଲା ଚାଲି ନ ପାରିଲା ବସି,

ଭୀମଯଷ୍ଟି ହସ୍ତୁ ପଡ଼ିଲାକ ଖସି ।

ଅଭୁତ ବ୍ୟାପାରେ ମନେ ବହି ଶଙ୍କା,

ରହିଲା ସେ ଚାହିଁ ହୋଇଣ ତାଟଙ୍କା ।

 

ଭାଙ୍ଗିଗଲା ତାର ଉଦ୍ଧତପଣିଆ,

କହିଲା ବ୍ୟାକୁଳେ ହୋଇ ସେ ଛାନିଆ

କେଉଁ ଦେବ ତୁମ୍ଭେ ଛଦ୍ମବେଶ ଧରି,

ବିଜେ ଏଥି କୃପା ମୋପ୍ରତି ବିଚରି ।

 

ମହାପାପୀ ମୁହିଁ ଅତି ଅକିଞ୍ଚନ,

ତାର ପ୍ରଭୁ ମୋତେ ସ୍ୱଗୁଣେ ବହନ ।

କୃପା ବହି କର ସମ୍ୱରଣ ରୋଷ,

କ୍ଷମ ଏ ଅଧମ ଅଜ୍ଞାନର ଦୋଷ ।

 

ଘେନି ଦେବ ମୋର ପ୍ରାର୍ଥନା ବିନୀତ,

ବିହ ମୋ ପାପର ଯୋଗ୍ୟ ପ୍ରାୟଶ୍ଚିତ୍ତ ।

କରୁଛି ମୁଁ ସତ୍ୟ ତପ ପାଦ ଚାହିଁ,

ଦସ୍ୟୁବୃତ୍ତି ଆଉ ଆଚରିବି ନାହିଁ ।

 

ଦସ୍ୟୁର ଦଇନୀ ଶୁଣି ବିପ୍ରବର,

ଶାନ୍ତ ହେଲେ ତେଜି କ୍ରୋଧ ଉଗ୍ରତର ।

ବହ୍ନିତାପେ ବହି ସଲିଳ ଉଷ୍ଣତା,

କ୍ଷଣକେ ଶୀତଳ ହୁଏ ପୁଣି ଯଥା,

 

ବ୍ରାହ୍ମଣର କୋପ ତଥା ସାମୟିକ,

ଦୟାକ୍ଷମା ତାର ଗୁଣ ସ୍ୱାଭାବିକ ।

ଭାଷିଲା ବ୍ରାହ୍ମଣ ଶୁଣ ରେ ବର୍ବର,

ଆନ ପ୍ରାୟଶ୍ଚିତ୍ତ ନାହିଁ ତୋ ପାପର ।

 

କର ନରସେବା ହୋଇ ଦୃଢ଼ଚିତ୍ତ,

ନରହତ୍ୟାର ସେ ଯୋଗ୍ୟ ପ୍ରାୟଶ୍ଚିତ୍ତ ।

ଅଙ୍ଗ ଅବଶତା ହେଉ ତୋର ଦୂର,

ଏହା କହି ଚାଲିଗଲା ସେ ଭୂସୁର ।

 

ତହୁଁ ଦେବଦତ୍ତ ଭାଳିଲା ଏମନ୍ତ,

ନାହିଁ ମୋର ଘୋର ଦୁଷ୍କୃତିର ଅନ୍ତ ।

ମୋଭଳି ପାତକୀ ନାହିଁ ଭବେ ଆନ,

ନରକରେ ସୁଦ୍ଧା ନାହିଁ ମୋର ସ୍ଥାନ ।

 

ଧିକ ଧିକ ମୁହିଁ ଘୃଣ୍ୟ, ଦୁରାଚାର,

ଦୁର୍ଭାଗ୍ୟକୁ ମୋର ସହସ୍ରେ ଧିକ୍‌କାର ।

ଅହୋ ମୋ କରଣୀ କେଡ଼େ ଅବାସ୍ତବ,

ମାନବ ନୁହେଁ ମୁଁ ଦୂରନ୍ତ ଦାନବ ।

 

ଶୁଣିଲେ ମୋହର ବୀଭତ୍ସ ବେଭାର,

ରୋଧିବ ଶ୍ୱାପଦ ସୁଦ୍ଧା କର୍ଣ୍ଣଦ୍ୱାର ।

ନର ହୋଇ ହେଲି ନର-ରକ୍ତପାୟୀ,

ପୂରାଇଲି ପେଟ ନିଜ ମାଂସ ଖାଇ ।

 

କଲି କଳୁଷିତ ଜୀବନର ରାହା,

ହରାଇ ବସିଲି ପରକାଳ ହା ହା !

ହୀନଠାରୁ ମୁହିଁ ହୀନତର ଅତି,

କି ହେବ ମୋହର ଶେଷଦିନ ଗତି ।

 

ଆସିଥିଲି ଘେନି ପବିତ୍ର ଜୀବନ,

କଲି ତହିଁ ଆହା କଳଙ୍କ ଲେପନ ।

ଏଥୁ ଯାଇ ପୁଣି ଭୁଞ୍ଜିବି ନିଶ୍ଚୟ,

କୃମିକୀଟପର୍ଣ୍ଣ ଭୀଷଣ ନିରୟ ।

 

ନିଜ ଦୁର୍ବୁଦ୍ଧିରେ ପଡ଼ିବି ଅଚିରେ,

କଟାହୁ ଛିଡ଼ିକି ଜ୍ୱଳନ୍ତ ଚୁଲିରେ ।

ପୁଣି ଭାବିଲା ମୁଁ କରୁଅଛି କିସ,

କି ଫଳ ସନ୍ତାପେ ଖାଇ ସାରି ବିଷ ।

 

ଅତୀତକୁ ଆଣି ବର୍ତ୍ତମାନାସନେ,

ବସାଉଛି ସିନା ଅବିବେକପଣେ ।

ଗଲାଣି ତ ମରି ସେ ଦୁଷ୍ଟ ଅତୀତ,

ବର୍ତ୍ତମାନ ଏବେ ଦେଖିବା ଉଚିତ ।

 

ଆଜିଠାରୁ ତେଜି ଏ ପାପ ବେଭାର,

ପାଳିବି ବିପ୍ରର ଉପଦେଶ ସାର ।

କି ଅଭୁତ ତାର ଆଧ୍ୟାତ୍ମିକ ଶକ୍ତି,

ନାହିଁ ହିଂସାଦ୍ୱେଷ କ୍ରୋଧ ବା ବିରକ୍ତି ।

 

କଥାକରେ ମୋର ଶକ୍ତି ନେଲା ହରି,

ପୁଣି ଦୟା ବହି କଲା ପୂର୍ବ ପରି ।

ଧନ୍ୟ ଆଧ୍ୟାତ୍ମିକ ଶକ୍ତିର ମହିମା,

କଳ୍ପନାରେ ବଳି ନୁହେଁ ତାର ସୀମା ।

 

ଜଳ ଅନଳାଦି ମହାଶକ୍ତିଚୟ,

ପାରେ ନାହିଁ ତାକୁ କରି ପରାଜୟ ।

ଏଥୁଅନ୍ତେ ଦସ୍ୟୁ ଫେରିଯାଇ ଘରେ,

ଆପାତ କର୍ତ୍ତବ୍ୟ ଚିନ୍ତିଲା ଚିତ୍ତରେ ।

 

ସମ୍ପତ୍ତି ତାହାର କୁବେର ସମାନ,

ଜନହିତ ଅର୍ଥେ କଲା ସବୁ ଦାନ ।

ନ ରଖିଲା ସୁଦ୍ଧା କିଛି ନିଜ ପାଇଁ,

କୃପଣ ସମାନ ଦାତା କେହି ନାହିଁ ।

 

ବାରିଦ ସଞ୍ଚୟ କରି କରି ବାରି,

ଢ଼ାଳିଦିଏ ଶେଷେ ସମ୍ଭାଳି ନ ପାରି ।

ବାହାରି ସେ ଶୂନ୍ୟହସ୍ତେ ଶୂନ୍ୟମନେ,

ପ୍ରବେଶିଲା ଯାଇ ଗହନ କାନନେ ।

 

‘ସତ୍ୟବ୍ରତ’ ନାମେ ଜାଣେ ବୃଦ୍ଧ ଯତି,

କରିଥିଲେ ସେହି କାନନେ ବସତି ।

ଭାବିଲା ତାହାଙ୍କୁ ଦେଖି ଦେବଦତ୍ତ,

ନରକୁଳେ ଏ ତ ଧାର୍ମିକ ମହତ ।

 

କି ସୁନ୍ଦର ମୂର୍ତ୍ତି ସଂଯତ ସରଳ,

ଜୁରିନିଏ ହୃଦୁ ଭକ୍ତି ଅନର୍ଗଳ ।

ସେବିବି ଏହାଙ୍କୁ ତେଜି ମନସ୍ତାପ,

ସାଧୁସେବା ଫଳେ ଖଣ୍ଡିବ ମୋ ପାପ ।

 

କିନ୍ତୁ ସାକ୍ଷାତରେ ମାଗିଲେ କରୁଣା,

ପାପୀ ବୋଲି କାଳେ ପ୍ରକାଶିବେ ଘୃଣା,

ଏଣୁ ଅସାକ୍ଷାତେ ରହି ନିରନ୍ତର,

ସେବିବି ଏହାଙ୍କ ପବିତ୍ର ପୟର ।

 

ଦୃଢ଼ କରି ଦସ୍ୟୁ ଏ ସଙ୍କଳ୍ପ ମନେ,

ପର୍ବତ କନ୍ଦରେ ରହିଲା ଗୋପନେ ।

ଗିରିଗୁହା ମହା ଶାନ୍ତିପୁତ ସ୍ଥଳୀ,

ନାହିଁ ପୂଣ୍ୟତୀର୍ଥ ସ୍ୱର୍ଗେ ତାହା ଭଳି ।

 

ଆର୍ଯ୍ୟ ଋଷିକୁଳ ତ୍ରିକାଳଦରଶୀ,

ଯୋଗଧ୍ୟାନେ ମଜ୍ଜି ତାହା କୋଳେ ବସି,

ଭବୀ ବଂଶଧର ସକାଶେ ସଞ୍ଚୟ,

କରିଯାଇଛନ୍ତି ଭାବ-ରତ୍ନଚୟ ।

 

ନିଜେ ମଧ୍ୟ ଲଭି ନିର୍ବାଣ ମୁକତି,

ଜନ୍ମ ମରଣରୁ ତ୍ରାହି ଲଭିଛନ୍ତି ।

ସ୍ଥାନ ପ୍ରଭାବରେ ଦସ୍ୟୁ ହୃଦୟରେ,

ସତ୍ତ୍ୱ ଗୁଣ ହେଲା ସମୁଦିତ ଖରେ ।

 

ଦସ୍ୟୁତା-ସୁଲଭ ହିଂସା ପରିହରି,

ରହିଲା ସେ ତହିଁ ସାଧୁଭାବ ଧରି ।

ସତ୍ୟବ୍ରତ ଋଷି ନିଶା ଅବଧାନେ,

ଇଷ୍ଟ ନାମ ସ୍ମରି ଯାନ୍ତି ପ୍ରାତଃସ୍ନାନେ ।

 

ଏହି ଅବସରେ ଦସ୍ୟୁ ଦେବଦତ୍ତ,

ଗୋପନେ ଗୁମ୍ଫାରୁ ହୋଇ ବହିର୍ଗତ,

ଋଷିଙ୍କ ଆଶ୍ରମେ ପ୍ରବେଶି ସତ୍ୱର,

ଲିପିପୋଛି କରେ ପରିଷ୍କାର ଘର ।

 

ପୂଜାପାତ୍ରମାନ ଧୋଇ ସାବଧାନେ,

ସଜାଡ଼ିଣ ଆଣି ରଖେ ଯଥାସ୍ଥାନେ ।

ସଂଗ୍ରହି କାନନୁ କାଷ୍ଠ, ଫୁଲ, ଫଳ,

ରଖିଦେଇ ଯାଏ ବାହାରି ଚଞ୍ଚଳ ।

 

ଋଷିଙ୍କ ଅଜ୍ଞାତେ ନିତି ଏହିମତି,

କରୁଥାଏ ସାଧୁସେବା ଦସ୍ୟୁପତି ।

ଫେରି ଆସି ସ୍ନାନୁ ଋଷି ସଦାଶୟ,

ଦେଖି ଏ ସକଳ ଲଭନ୍ତି ବିସ୍ମୟ ।

 

ଅନ୍ତରାଳେ ଦିନେ ଜଗି ଯତିମଣି,

ଦେଖିଲେ ସମସ୍ତ ଦସ୍ୟୁର କରଣୀ ।

ଆସି ତହୁଁ ତ୍ୱରା ମିଳି ତାହା ପାଶେ,

ପୁଚ୍ଛିଲେ ତୁ ଏହା କରୁ କି ସକାଶେ ।

 

ନିରେଖି ସମ୍ମୁଖେ ତାଙ୍କୁ ଦେବଦତ୍ତ,

ଅଷ୍ଟାଙ୍ଗ ଲୁଟାଇ କଲା ଦଣ୍ଡବତ ।

ଲୋତକିତ ନେତ୍ରେ ଯୋଡ଼ି ବେନି ହସ୍ତ,

ଆମୂଳ ବୃତ୍ତାନ୍ତ କହିଲା ସମସ୍ତ ।

 

ବଡ଼ ଦୁର୍ଭାଗ୍ୟ ମୁଁ ପତିତ ଦୁର୍ଜନ

ବହୁ ମହାପ୍ରାଣୀ କରିଛି ନିଧନ ।

ବିଶ୍ଳେଷଣ କଲେ ମୋ ଦେହ ଶୋଣିତ,

ନ ମିଳିବ କିଛି ପାତକ ବ୍ୟତୀତ ।

 

ନର ଜୀବନର ମହାଲକ୍ଷ୍ୟ ହୁଡ଼ି,

ଥିଲି ଆଜୀବନ ହତ୍ୟାପାପେ ବୁଡ଼ି ।

ଦୈବେ ଦିନେ ଏକ ଦ୍ୱିଜ ମହାମନା,

ଦେଲେ ମୋତେ ଆସି ଦୟାରେ ଚେତନା ।

 

ତାହାଙ୍କ ଆଦେଶେ ଧରି ସେବାବ୍ରତ,

ହୋଇଛି ମୁଁ ଆସି ଏଥେ ଉପଗତ ।

ତୁମ୍ଭେ ସାଧୁ ସିଦ୍ଧ ଋଷି ଦେବକଳ୍ପ,

ସେବିବି ତୁମ୍ଭଙ୍କୁ କରିଛି ସଙ୍କଳ୍ପ ।

 

କରିବି ଉପେକ୍ଷା ପାପୀ ବୋଲି ନିକି,

ଏହି ଆଶଙ୍କାରେ ନ ଆସି କତିକି,

କରୁଥିଲି ସେବା ପ୍ରଚ୍ଛନ୍ନରେ ରହି,

କ୍ଷମା କର ଦେବ ଦୀନେ କୃପା ବହି ।

 

ମୁଁ ସିନା ବୀଭତ୍ସ ପାପରେ ମଳିନ,

ମାତ୍ର ପୂଣ୍ୟରାଜ୍ୟେ ତୁମ୍ଭେ ଉଚ୍ଚାସୀନ ।

ତବ ସ୍ପର୍ଶେ ପୂତ ହେବି ମୁଁ ସର୍ବଥା,

ଜାହ୍ନବୀ ପରଶେ ଚର୍ମନାସା ଯଥା ।

 

ତବ ଯୋଗେ ମୋର ପ୍ରାଣର ପିପାସା,

ମେଣ୍ଟିବ ବୋଲି ମୁଁ ବାନ୍ଧିଅଛି ଆଶା ।

ଈଶ୍ୱରଦ୍ରୋହୀ ମୁଁ ଅସାରୁ ଅସାର,

ଡାକିବାକୁ ତାଙ୍କୁ ନାହିଁ ଅଧିକାର ।

 

ତୁମ୍ଭେ ତାଙ୍କ ଭକ୍ତ ପ୍ରାଣର ସମାନ,

ଭକ୍ତର ଅଧୀନ ସଦା ଭଗବାନ ।

କଲେ ଜଣମଣା ତୁମ୍ଭେ ମୋହ ପାଇଁ,

ଘେନିବେ ତା ନିଶ୍ଚେ ପ୍ରଭୁ ବିଶ୍ୱସାଇଁ ।

 

ଦେଖିବି ମୁଁ ତାଙ୍କୁ ତୁମ୍ଭରି ପ୍ରସାଦେ,

ଦୁର୍ଭାର ପାପରୁ ନିସ୍ତରିବି ହାଦେ ।

ଶୁଣିଣ ଏସନ ଦସ୍ୟୁର ବିନତି,

କହିଲେ ସହାସ୍ୟେ ସତ୍ୟବ୍ରତ ଯତି-

 

କରିବା ନିମନ୍ତେ ସୂର୍ଯ୍ୟଙ୍କୁ ଦର୍ଶନ,

ପ୍ରଦୀପର ଅବା କିସ ପ୍ରୟୋଜନ ।

ଖୋଜିଲେ ପ୍ରହ୍ଲାଦ କିମ୍ୱା ଧ୍ରୁବ ପରି,

ଯହିଁ ତହିଁ ଦେଖା ଦିଅନ୍ତି ଶ୍ରୀହରି ।

 

ସତ୍ୟ ମଣି ବତ୍ସ କର ତୁ ବିଶ୍ୱାସ,

ସର୍ବଦ୍ରବ୍ୟ ମଧ୍ୟେ ତାଙ୍କରି ପ୍ରକାଶ ।

ଅଛନ୍ତି ସେ ହରି ପାତାଳେ ଆକାଶେ,

ଅଛନ୍ତି ସେ ତୋର ନିଃଶ୍ୱାସ ପ୍ରଶ୍ୱାସେ ।

 

ଭୟ ନାହିଁ, କ୍ଷୟ ହେଲାଣି ତୋ ପାପ,

ନାଶିଲାଣି ତାକୁ ତୋର ଅନୁତାପ ।

ଅନୁତାପ ପରି ଶ୍ରେଷ୍ଠ ପ୍ରାୟଶ୍ଚିତ୍ତ,

ନାହିଁ ବତ୍ସ ଆଉ ଏହା ସୁନିଶ୍ଚିତ ।

 

ଦୃଢ଼େ ସେବାବ୍ରତ ଆଚର ତୁ ଏବେ,

ପବିତ୍ର ସେ ବ୍ରତ, ବାଞ୍ଛନ୍ତି ତା ଦେବେ ।

ସେବା ଅର୍ଥ ଖାଲି ନୁହେଁ ନରସେବା,

ସେବ୍ୟ ସର୍ବେ, ହେଉ କୀଟ ବ୍ରହ୍ମ ଯେବା ।

 

ସାରା ସୃଷ୍ଟି ସଙ୍ଗେ ସେବାର ସମ୍ୱନ୍ଧ,

ସଂକୀର୍ଣ୍ଣ ସୀମାରେ ନୁହେଁ ସେ ଆବଦ୍ଧ ।

ସେବିବୁ କର୍ମକୁ ହେଜି ତା ମହିମା,

ନ ମାଡ଼ିବୁ କେବେ ଭ୍ରମେ ପାପସୀମା ।

 

କ୍ଷୁଦ୍ର ପାପ ସୁଦ୍ଧା ନୁହେଁ ଅବଜ୍ଞାତ,

ସ୍ପୁଲିଙ୍ଗେ ହିମାଦ୍ରି ହୁଏ ଭସ୍ମସାତ ।

ପ୍ରାଣନାଶ ପକ୍ଷେ କଣିକାଏ ବିଷ,

ଯଥେଷ୍ଟ ଏଥିରେ ସନ୍ଦେହ ବା କିସ ।

 

ଉତ୍ତେଜିତ ନୋହି ଲାଳସା ଉତ୍ତାପେ,

ମାରିବୁ ସର୍ବଦା ତଣ୍ଟି ଚିପି ପାପେ ।

ପାପେଚ୍ଛାକୁ ହେୟ ନ ମଣିବୁ ଭୁଲି,

ଖରାଠାରୁ ଊଣା ନୁହେଁ ଗୁଳୁଗୁଳି ।

 

ଆଲିଙ୍ଗିବୁ ଦୁଃଖେ ପ୍ରକାଶି ସମ୍ମାନ,

ଦୁଃଖକୁ ମଣିବୁ ସୁଖର ସମାନ ।

ରଖିଅଛି ଦୁଃଖ ସୁଖକୁ ବଞ୍ଚାଇ,

ଦୁଃଖ ସିନା ସୁଖ-ଦୀପତଳ ଛାଇ ।

 

ଦୁଃଖୁଁ ଜାତ ସୁଖ, ସୁଖୁ ଜାତ ଦୁଃଖ,

ସୁଖେ ହୃଷ୍ଟ ଦୁଃଖେ ନୋହିବୁ ବିମୁଖ ।

ଦୁଃଖ ଅଛି ବୋଲି ସୁଖ ଜଣାପଡ଼େ,

ନତୁ ସୁଖ ମୂଲ୍ୟ ନ ଥାଆନ୍ତା କଡ଼େ ।

 

ତ୍ୟାଗେ ସେବି ଭୋଗେ କରିବୁ ବର୍ଜନ,

ଭୋଗ-ପାବକର ଭୋଗହିଁ ଇନ୍ଧନ ।

ସୁପଥକୁ ଆଶ୍ରା କରିବୁ ନିରତେ,

ବିପଥଗାମୀକୁ ଆଣିବୁ ସୁପଥେ ।

 

ଭୁଞ୍ଜିବାକୁ ହେଲେ ସେ ଲାଗି ବିପଦ,

ଭୁଞ୍ଜିବାକୁ ତା କେବେ ନୋହି ପଶ୍ଚାତ୍ପଦ ।

ନିଶୁଣୀ ଯାହାକୁ ଉଠାଏ ଉପରେ,

ତାହା ପଦାଘାତ ସହେ ଅକାତରେ ।

 

ମାନବ ଶରୀର ରୋଗର ଆକର,

ପୀଡ଼ା ହେଲେ ଦେହେ ନ ହେବୁ କାତର ।

ତୁ ତୋହର ଦେହ, ଭିନ୍ନ ନିଃସନ୍ଦେହ,

ଆରୋହୀ ତୁ, ତୋର ବାହନ ତୋ ଦେହ ।

 

ଲାଗିଲେ ଆଘାତ ବାହନ ଶରୀରେ,

ହେବ ଅବା ତୋର କି କ୍ଷତି ତହିଁରେ ।

ଧରି ଏହି ଭାବ ରହିବୁ ଅଟଳ,

ସହିବୁ ବାହାର ଆଘାତ ସକଳ ।

 

ଏହିରୂପେ କହି ଋଷି ତପପ୍ରାଣ,

ଦେବଦତ୍ତେ ଦେଲେ ଆଶ୍ରମରେ ସ୍ଥାନ ।

 

ପଞ୍ଚମ ସର୍ଗ

ଋଷି ଆଶ୍ରମରେ ରହି ଦେବଦତ୍ତ,

ଲାଗିଲା ଆଶ୍ରମ-ସେବାରେ ସତତ ।

ଆଶ୍ରମ-ପାଳିତ ପଶୁପକ୍ଷୀମାନେ,

ସୁଖୀ ହେଲେ ତାର ଖାଦ୍ୟପେୟ ଦାନେ ।

 

ଅଭ୍ୟାଗତେ ସେବା କଲା ଯଥାବିଧି,

ସେବାକୁ ମଣିଲା କୋଟି ରତ୍ନନିଧି ।

ଦେଖି ତାକୁ ଯୋଗୀ ସଦା ସେବାରତ,

ରଖିଲେ ତାହାର ନାମ ସେବାବ୍ରତ ।

 

ସେହି ଦିନୁ ଶିଷ୍ୟ ବହିଲା ସେ ନାମ,

ଦେବଦତ୍ତ ଆଖ୍ୟା ଭଜିଲା ବିଶ୍ରାମ ।

ସଦୟେ ତାହାକୁ ଭାଷିଲେ ତାପସ,

ଅର୍ଥର ସାପେକ୍ଷ ସବୁ କାର୍ଯ୍ୟ ବତ୍ସ !

 

ଉପାର୍ଜ୍ଜନ ଆଗେ କର ବହୁ ଅର୍ଥ,

ହେବୁ ବିଶ୍ୱ-ହିତ-ସାଧନେ ସମର୍ଥ ।

ଏହି ଯେ ସମ୍ମୁଖେ ଉଭା ଗିରିବର,

ସିନ୍ଧୁ ସମ ତାହା ରତ୍ନର ଆକର ।

 

କେତେ ରତ୍ନ ତାହା ଗର୍ଭେ ଠାବେ ଠାବେ,

ରହିଛି ବିକ୍ଷିପ୍ତ ଇତସ୍ତତଃ ଭାବେ ।

କାହିଁ ବ୍ୟାଘ୍ରହତ କସ୍ତୁରୀ ମୃଗର,

 

ମୃଗନାଭି ଦାନା ପଡ଼ିଛି ବିସ୍ତର ।

ହରି-ବିଦାରିତ କରିଶିର-ମୋତି,

ବନଗର୍ଭେ କାହିଁ ବିସ୍ତାରିଛି ଜ୍ୟୋତି ।

ସ୍ୱଚ୍ଛ ଶୁଭ୍ର କାନ୍ତ ମୃତ ହାତୀଦାନ୍ତ,

 

ଉଜ୍ଜ୍ୱଳାଏ କାହିଁ ବନଗିରିପ୍ରାନ୍ତ ।

କାହି ଶିଳାଜତୁ ବାଉଁଶ କର୍ପୁର,

ଅନାଦୃତ ପ୍ରାଏ ରହିଛି ପ୍ରଚୁର ।

କାହିଁ ସର୍ଜରସ ଶାଳତରୁ ବଣେ,

 

ପଡ଼ି ରହିଅଛି ଭରଣେ ଭରଣେ ।

ମହା ମୂଲ୍ୟବାନ କେତେ ମହୌଷଧି,

ଅଛି ଏ ପର୍ବତେ ନାହିଁ ତା ଅବଧି ।

ଭୀଷଣ ବରାହ ଦନ୍ତ-ବିଦାରିତ,

 

କେତେ ହୀରାଖଣ୍ଡ ରହିଛି ପତିତ ।

ବହୁ ରତ୍ନ ବହୁ ରତ୍ନ ରୂପାନ୍ତର,

ବହିଛି ଶରୀରେ ଏହି ଗିରିବର ।

ସେ ସକଳ ତୁହି କରିବୁ ସଂଗ୍ରହ,

 

ଗିରି-ବନଗର୍ଭେ ଖୋଜି ଅହରହ ।

କଲେ ତାହା ନେଇ ନଗରେ ବିକ୍ରୟ,

ବହୁ ଅର୍ଥ କରିପାରିବୁ ସଞ୍ଚୟ ।

ଜନସେବା ତହିଁ କରି ମନୋମତ,

 

ଦେଖାଇବୁ ସେବାଯଜ୍ଞର ମହତ୍ତ୍ୱ ।

ଶୁଣି ସେବାବ୍ରତ ଋଷି ଉପଦେଶ,

ଲଭିଲା ଆନନ୍ଦ ଉତ୍ସାହ ବିଶେଷ ।

କଲା ତାଙ୍କ ପଦେ ସାଷ୍ଟାଙ୍ଗ ପ୍ରଣାମ,

 

ଭାବିଲା ହେଲା ମୋ ପୂର୍ଣ୍ଣ ମନସ୍କାମ ।

ସାଧୁ ଉପଦେଶ ପବିତ୍ର ମଙ୍ଗଳ,

ଦେବାଶିଷ ପ୍ରାୟେ ନ ହୁଏ ବିଫଳ ।

ଧରି ମନେ ପ୍ରାଣେ ଦୃଢ଼େ ଏ ବିଶ୍ୱାସ,

 

ନିୟୋଜିଲା ଅର୍ଥସଂଗ୍ରହେ ପ୍ରୟାସ ।

ଅଟଳ ସଙ୍କଳ୍ପେ ସାଧେ ଯେ ସୁକାର୍ଯ୍ୟ,

ସାଫଲ୍ୟ ତାହାର ଭାଗ୍ୟେ ଅନିବାର୍ଯ୍ୟ ।

ଋଷି ଉପଦେଶ କରି ସେ ପାଳନ,

 

କଲାକ ବିପୁଳ ଅର୍ଥ ଉପାର୍ଜନ ।

ଅର୍ଥର ଅସାଧ୍ୟ ନାହିଁ ମହୀତଳେ,

ଅସାଧ୍ୟ ସୁସାଧ୍ୟ ହୁଏ ତାହା ବଳେ ।

ମିଥ୍ୟା ନୁହେଁ ଏହା ଭାଗବତ ବାଣୀ,

 

ଅର୍ଥବଳେ ସ୍ରୋତ ବହଇ ଭଜାଣି ।

ଜନହିତ କାର୍ଯ୍ୟେ ବହି ଅନୁରାଗ,

ଆରମ୍ଭିଲା ସେହି ଅର୍ଥେ ସେବାଯାଗ ।

ଅନାଥ ରୋଗୀର ପୀଡ଼ା ନାଶ ପାଇଁ,

 

ଦେଲା ନେଇ ପଥ୍ୟ ଔଷଧ ଯୋଗାଇ ।

ନ ବିଚାରି କୁଳ ନ ବିଚାରି ଜାତି,

ପୀଡ଼ିତ ସେବାରେ ପୁହାଇଲା ରାତି ।

ଦୁଃଖୀ ରଙ୍କୀ ପାଇଁ କରି ବହୁ ବ୍ୟୟ,

 

ସଂସ୍ଥାପିଲା କେତେ ସୁଚିକିତ୍ସାଳୟ ।

ଲୋକହିତକର ବହୁ ସତ୍କାର୍ଯ୍ୟରେ,

ବହୁ ଅର୍ଥ ଦାନ କଲା ଅକାତରେ ।

ସବୁ ଦାନଠାରୁ ଶ୍ରେଷ୍ଠ ବିଦ୍ୟମାନ,

 

ବସାଇଲା ଦେଶେ ବିଦ୍ୟାଳୟମାନ ।

ଜ୍ଞାନବୃଦ୍ଧି ପାଇଁ ଗ୍ରାମବାସୀଙ୍କର,

ଖୋଲା ହେଲା ଗ୍ରାମେ ଗ୍ରାମେ ପାଠଘର ।

ଜଳାଭାବ ସ୍ଥାନେ ବହୁ ଭୂମି କିଣି,

 

ଖୋଳାଇଲା କେତେ କୂପ ପୁଷ୍କରିଣୀ ।

ସାଧୁ ସନ୍ଥ ଭିକ୍ଷୁ ଅତିଥି ସକାଶେ,

ସଦାବର୍ତ୍ତ ମଠ ହେଲା ପଥ ପାଶେ ।

ଅପଥରେ ହେଲା ସଡ଼କ ନିର୍ମିତ,

 

କେତେ ପାନ୍ଥଶାଳା ହେଲା ସଂସ୍ଥାପିତ ।

ଶ୍ରମିକଙ୍କୁ କର୍ମ ଯୋଗାଇବା ପାଇଁ,

ସ୍ଥାପିଲା ଆଦର୍ଶ କୃଷିକ୍ଷେତ୍ର କାହିଁ ।

ବହୁ ଶିଳ୍ପଶାଳା ହେଲା ସଂସ୍ଥାପିତ,

 

ହେଲେ ଲୋକେ ବହୁ ବିଦ୍ୟାରେ ଶିକ୍ଷିତ ।

ଗ୍ରାମେ ଗ୍ରାମେ ଧର୍ମପ୍ରଚାର ନିମିତ୍ତ,

କେତେ ଧର୍ମଗୁରୁ ହେଲେ ନିୟୋଜିତ ।

ଏହିପରି ବହୁ କାର୍ଯ୍ୟେ ସେବାବ୍ରତ,

 

ମାନବ-ସେବାରେ ରତ ଅବିରତ ।

ସେବା-ଯଜ୍ଞେ ହେଲା ପୂର୍ଣ୍ଣ ଚାରିଆଡ଼,

ପଶୁପକ୍ଷୀ ସେବା ଗଲା ନାହିଁ ଛାଡ଼ ।

ବନ୍ୟ ଜୀବ ପାଇଁ ନିଦାଘ କାଳରେ,

 

ରଖାଇଲା ଜଳ ପର୍ବତ ଶିଖରେ ।

ଶୀତ ଉପଦ୍ରବୁ ଲଭିବାକୁ ତ୍ରାହି,

ଜଳା ହେଲା ଶୈଳେ ବନେ ନିଆଁ ଡ଼ାହି ।

ସ୍ଥାନେ ସ୍ଥାନେ ତହିଁ ରଚିଲା ଭଟଜ,

 

ବର୍ଷାରେ ଆଶ୍ରିଲେ ତାହା ଜୀବବ୍ରଜ ।

ଏହିପରି କରି ବହୁ ଅନୁଷ୍ଠାନ,

ସେଥିପ୍ରତି ଦୃଷ୍ଟି ରଖିଲା ସମାନ ।

କୃତ ଅନୁଷ୍ଠାନ ସୁରକ୍ଷଣ ପାଇଁ,

 

ବହୁ ଅର୍ଥ ଖଞ୍ଜି କଲା ସର୍ବେ ସ୍ଥାୟୀ ।

ବୟୋଧର୍ମେ ତାକୁ ଆକ୍ରମିଲା ଜରା,

ତେବେ ସେ ନ ଗଣେ ଶୀତ ବର୍ଷା ଖରା ।

ସମଭାବେ ସଦା ଧରି ସେବାବ୍ରତ,

 

ସେବାରେ ନିଯୁକ୍ତ ରହିଲା ସତତ ।

ବୃଦ୍ଧକାଳେ ସଦା ଯୁବକ ସମାନ,

କର୍ତ୍ତବ୍ୟ-ପୟରେ କଲା ଆତ୍ମଦାନ ।

ସେବା ତାର ଧର୍ମ ସେବା ତାର ସ୍ୱର୍ଗ,

 

ସେବାକୁ ମଣେ ସେ ଶ୍ରେଷ୍ଠ ଅପବର୍ଗ ।

ସେବା ତାର ପ୍ରାଣ, ତପ ତାର ସେବା,

ସେବା ସର୍ବ ତୀର୍ଥ ଗଙ୍ଗା ଗୟା ରେବା ।

ଥିଲା ଦିନେ ରାତ୍ରେ ନିଦ୍ରା ଅଭିଭୂତ,

 

ଦେଖିଲା ସେ ଏକ ସ୍ୱପନ ଅଭୁତ ।

ନାରୀମୂର୍ତ୍ତି ଏକ ଉଭା ହୋଇ ଶିରେ,

କହିଲା ତାହାକୁ ସୁକୋମଳ ଗୀରେ-

‘‘ଚିହ୍ନିଲୁ କି ମୋତେ, ମୁଁ ତୋର ସୁକୃତି,

 

ଆସିଲି ତୋ ପାଶେ ଧରି ଜ୍ୟୋତିମୂର୍ତ୍ତି ।

ହେଲାଣି ତୋହର ଆୟୁ ଅବସାନ,

କାଲି ସନ୍ଧ୍ୟାରେ ତୁ ବିସର୍ଜିବୁ ପ୍ରାଣ ।

ଭବେ ତୋହ ପରି ଭାଗ୍ୟଧର କିଏ,

 

ଥିଲୁ ତୁ ଗୋଟିଏ ହେବୁ ରେ କୋଟିଏ ।

ଦେଖାଇଛୁ ତୁ ଯେ ମଙ୍ଗଳ ଆଦର୍ଶ,

ଅନୁକୃତ ତାହା ହେବ ବହୁ ବର୍ଷ ।

ସେ ମହା ଆଦର୍ଶ ଦେବତା-ବାଞ୍ଛିତ,

 

କୋଟି ପ୍ରାଣେ ହେବ ସୁପ୍ରତିବିମ୍ୱିତ ।

କର୍ମଯାଗେ ଦୃଢ଼େ କରି ଅବଲମ୍ୱ,

ଗଢ଼ିଲୁ ତୁ ନିଜେ ନିଜ କୀର୍ତ୍ତିସ୍ତମ୍ଭ ।

ତୋ କୀର୍ତ୍ତି-ଦୁଲାଳୀ, ସୁଯଶ-ଦୁଲାଳ

 

ରଖିବେ ତୋହର ସ୍ମୃତି ଚିରକାଳ ।

ମାଟିଦେହ ବତ୍ସ ନୁହେଁରେ ଅମର,

କିନ୍ତୁ କୀର୍ତ୍ତିଦେହ ଚିର ଅନଶ୍ୱର ।

ଅର୍ପିବ ତୋ କର୍ମ ତୋତେ ଉଚ୍ଚାସନ,

 

ଉଚ୍ଚକୁଳେ ଜନ୍ମେ ତୋ ଭାଗ୍ୟଲିଖନ ।

ମାନବର ଇହଜନ୍ମର ସଂସ୍କାର,

ପରଜନ୍ମେ କରେ ପ୍ରଭାବ ବିସ୍ତାର ।

ତୋ କର୍ମ ମଧ୍ୟରେ ରହିବୁ ତୁ ବର୍ତ୍ତି,

 

କର୍ମ ମଧ୍ୟେ ସିନା କର୍ତ୍ତାର ବସତି ।

କର୍ମ ମଧ୍ୟେ କର୍ତ୍ତା କର୍ତ୍ତା ମଧ୍ୟେ କର୍ମ,

ବୁଝାଇଛି ଗୀତା, ଏ ତତ୍ତ୍ୱର ମର୍ମ ।

କର୍ତ୍ତା କର୍ମର ଏ ଘନିଷ୍ଠ ସମ୍ୱନ୍ଧ,

 

ବୁଝେ ଚକ୍ଷୁଷ୍ମାନ, ବୁଝେ ନାହିଁ ଅନ୍ଧ ।

ସୃଷ୍ଟି, ସୃଷ୍ଟିକର୍ତ୍ତା ବ୍ରହ୍ମାଣ୍ଡ ଈଶ୍ୱର,

ଦୁହିଁଙ୍କର ସିନା ଦୁହେଁ ରୂପାନ୍ତର ।’’

ଏହା ଋଷି ଦେବୀ ହେଲେ ଅନ୍ତର୍ହିତ,

 

ସେବାବ୍ରତ ନିଦ୍ରା ତୁଟିଲା ତ୍ୱରିତ ।

ସ୍ୱପ୍ନ କଥା ହେଜି ଭାବିଲା ଏସନ,

ସତେ କି ମୋ ପ୍ରତି ଦେବତା ପ୍ରସନ୍ନ ।

ହେବି ମୁଁ ବିମୁକ୍ତ ଭବ-କାରାଗାରୁ,

 

କି ଅଛି ସୌଭାଗ୍ୟ ବଳି ଏହାଠାରୁ ।

ମୃତ୍ୟୁ ପରି ବନ୍ଧୁ ନାହିଁ କେହି ଆନ,

ଆଣିଦିଏ ସିନା ମୃତ୍ୟୁ ନବପ୍ରାଣ ।

ଗଢ଼େ ସେ ନୂତନ, ପ୍ରାଚୀନକୁ ଭାଙ୍ଗି,

 

ଭୁଞ୍ଜେ ସୁଖଶାନ୍ତି ଜୀବ ତାହା ଲାଗି ।

ଏହା ଭାବି କିଛି ନ କହି କାହାକୁ,

ନମିଲା ଉଦ୍ଦେଶେ ଜଗତନାହାଙ୍କୁ ।

ନିତ୍ୟକୃତ୍ୟ ସାରି ରହି ଉପବାସେ,

 

ଇଷ୍ଟଦେବ ନାମ ଜପିଲା ଉଲ୍ଲାସେ ।

ଅସ୍ତ ହେଲେ ରବି ବୁଡ଼ିଲା ଆତପ,

ଏକ ମନେ ବସି କରୁଥାଏ ଜପ ।

ଆସିଲା ଏ କାଳେ ଘନ ଘନ ହାଇ,

 

ହାଇ ସଙ୍ଗେ ପ୍ରାଣ ଉଡ଼ିଗଲା କାହିଁ ।

ପଡ଼ିଲା ସେ ଢ଼ଳି ଯଥା ଛିନ୍ନତରୁ,

ବହିଗଲା ଧାରେ ଗରଳ ମୁଖରୁ ।

ଆଶ୍ରମବାସୀଏ ଆସିଣ ଦଉଡ଼ି,

 

ଦେଖିଲେ ଯାଇଛି ପ୍ରାଣ-ପକ୍ଷୀ ଉଡ଼ି ।

ମୃତ୍ୟୁବାର୍ତ୍ତା ହେଲା ତତକ୍ଷଣେ ପ୍ରଚାର,

ଚାରିଆଡ଼େ ଗଲା ପଡ଼ି ହାହାକାର ।

ଏ ଅଭୁତ ମୃତ୍ୟୁ ଦେଖି ଋଷିବର,

 

ଫିଟିଗଲା ତାଙ୍କ ନେତ୍ରୁ ଅଶ୍ରୁଝର ।

ଭାଷିଲେ- ‘‘ଆଶ୍ରମୁ ହେଲା ସୂର୍ଯ୍ୟ ଅସ୍ତ,

ଛଡ଼ିଗଲା ଆଜି ମୋ ଦକ୍ଷିଣ ହସ୍ତ ।

ଘଟେ ଯାହା ଭାଗ୍ୟେ ଏ ସୁଖ-ମରଣ,

 

ସେ ସୌଭାଗ୍ୟବାନ ପଦର ଭାଜନ ।

କେଉଁ ତପ ଫଳେ ବାହାର ଆଶିଷେ,

ଲଭିଥିଲି ମୁହିଁ ତୋହ ପରି ଶିଷ୍ୟେ ।

ତୋହୋ ଯୋଗୁଁ ମୁହିଁ ହେଲି ସିନା ଧନ୍ୟ

 

ଭାଗ୍ୟଧର ମଧ୍ୟେ ହେଲି ପୁଣି ଗଣ୍ୟ ।

ପ୍ରଦାନିବ ତୋତେ ତୋ ପୂଣ୍ୟ ବହନ,

ମୃତ୍ୟୁ ଆର ପାଶେ ଅମୃତ ଜୀବନ ।

ଯାଅ ବତ୍ସ, ଘେନି ମୋର ଆଶୀର୍ବାଦେ,

 

କର ସୁଖେ ସେବା ବିଶ୍ୱପତି ପାଦେ ।’’

ଏହା ଭାଷି ଋଷି ରାଇ ଶିଷ୍ୟଗଣେ,

ଆଦେଶିଲେ ଶବ-ସଂସ୍କାର ସାଧନେ ।

ତହୁଁ ଶିଷ୍ୟେ ନେଇ ମୃତପିଣ୍ଡେ ବହି,

 

ଶ୍ମଶାନରେ ଦେଲେ ଚିତାନଳେ ଦହି ।

ଚିତା ମଧ୍ୟୁ ଉଠି ଏକ ଜ୍ୟୋତି ସ୍ତୁପ,

ଚାଲିଗଲା ଊର୍ଦ୍ଧ୍ୱେ ହାବେଳୀ ସ୍ୱରୂପ ।

ଦେଖି ସେହି ଦୃଶ୍ୟ ଶବଦାହିଚୟ,

 

ସ୍ତମ୍ଭୀଭୂତ ହୋଇ ଗଣିଲେ ବିସ୍ମୟ ।

ଦେଖିଲେ ସକଳେ ଚାହିଁ ଶୂନ୍ୟପଥେ,

ବିଜେ ସେବାବ୍ରତ ଜ୍ୟୋତିର୍ମୟ ରଥେ ।

ଜ୍ୟୋତିରୂପଧାରୀ ଦ୍ୱିପାଶେ ଦ୍ୱିଜଣ,

 

କରୁଛନ୍ତି ତାକୁ ଚାମରେ ବ୍ୟଜନ ।

ଊର୍ଦ୍ଧ୍ୱେ ଉଠି ରଥ ମହାଶୂନ୍ୟେ ଯାଇ,

ନ ଦିଶିଲା ଆଉ ଗଲାକ ମିଳାଇ ।

କହିଲେ ଉଦ୍ଦେଶେ କରି ଦଣ୍ଡବତ,

 

ଶାପଭ୍ରଷ୍ଟ ଦେବ ନିଶ୍ଚେ ସେବାବ୍ରତ ।

ଶାପମୁକ୍ତ ହୋଇ ସେବାଧର୍ମ ପାଳି,

ଦେବରୂପେ ଗଲା ଦେବଦେଶେ ଚାଲି ।

ଚିତାଭସ୍ମ ବୋଳି ମସ୍ତକେ ସମ୍ଭ୍ରମେ,

ବାହୁଡ଼ିଲେ ଶିଷ୍ୟେ ଗୁରୁଙ୍କ ଆଶ୍ରମେ ।