Unknown

ରସାବଳୀ

ମୃତ୍ୟୁଞ୍ଜୟ ରଥ

ରଜା ରାଣୀ

ଦେଖ ଆମ ରାଜା ରାଣୀ ଦିଶନ୍ତି କି ଗୋରା,

ପୁନେଇଁର ଜହ୍ନ ପରି ରୂପ କେଡ଼େ ତୋରା !

ହୀରା-ଜଡଉ ମହୁଡ ଶିରେ ଶୋଭା ପାଏ,

ଝଟକେ ଶ୍ରୀକରେ ଧର୍ମ-ଦଣ୍ଡ ହୀରା ପ୍ରାୟ

 

ପ୍ରଜାଙ୍କ ମଙ୍ଗଳପାଇଁ ଭାବନା ତାଙ୍କର,

ଦୂର କରୁଛନ୍ତି ନିତି ରାଜ୍ୟୁଁ ଅମଙ୍ଗଳ

ଦୁର୍ବଳକୁ ଦଳିଯିବେ ସିନା ବଳୀୟାର,

ରାଜ୍ୟରେ ନଥିଲେ ରାଜା ହେବ ଅତ୍ୟାଚାର

 

ମହାରାଜା ଦେଇଛନ୍ତି ଆମ୍ଭଙ୍କୁ ଅଭୟ,

ତାଙ୍କ ଯୋଗୁଁ ସିନା ଆମ୍ଭେ ନିଶ୍ଚିନ୍ତ ନିର୍ଭୟ ?

ଫଳୁଅଛି ଯେତେ ଫଳ ବୃକ୍ଷ ଲତାମାନ,

ସବୁଟି ଜଳରୁ, ମେଘ ଜଳର ନିଦାନ

 

ପ୍ରଜାଙ୍କ ହରଷ ସୁଖ ରାଜ୍ୟେ ଘଟେ ଯାହା,

ସବୁ ରାଜା କରିବାରେ, ନାହିଁ ଅନ୍ୟ ସାହା

ତେଣୁ ହେ ପାଞ୍ଚିବା ନିତି ତାଙ୍କରି ମଙ୍ଗଳ,

ଭକତି-କୁସୁମ ଦେଇ ପୂଜିବା ଆବର

 

ସେ ପ୍ରଭୁ ପରମେଶ୍ୱର ଦ୍ୟନ୍ତୁ ପରମାୟୁ,

ଆମ୍ଭ ରାଜା ରାଣୀ ଦୁହେଁ ହୁଅନ୍ତୁ ଚିରାୟୁ

 

ରସାବଳୀ

ବଜାରେ ଶୋଭାପାଏ ମିଠାଇ ଦୋକାନ

କି ସୁନ୍ଦର ଦିଶେ ତହିଁ ରସାବଳୀମାନ

ଯେଡ଼ିକି ମଧୁର ପୁଣି ତେଡ଼ିକି କୋମଳ,

ଦେଖିଲେ କାହାର ମନ ନୋହିବ ଚଞ୍ଚଳ

 

କିଣିଥିଲା କିଣାରାମ ପଣେ ରସାବଳୀ,

ସାଙ୍ଗ ପିଲାମାନେ ଦେଖି ଲଗାଇଲେ ଅଳି

ଦଶୁଟା ମଧୁକୁ ଦେଲା ରହିଲା ସତୁରି,

ପାଞ୍ଚୋଟି ଖାଇଲା ଆପେ, ମାଗିଲା କଣ୍ଡୁରି

 

ତାକୁ ଦେଲା ପାଞ୍ଚଗୋଟା ରହିଲା ଷାଠିଏ,

ଗୋବିନ୍ଦ ଗୋପାଳ ନେଲେ ପୁଞ୍ଜିଏ ପୁଞ୍ଜିଏ

ଚାହୁଁଅଛି କିଣାରାମ କିଏ ନେବେ ଆଉ

ଉଡ଼ିଆସି କାହୁଁ ଯୋଡ଼େ ଝାମ୍ପି ନେଲା କାଉ

 

ଭୋଳା ନେଲା ଦୁଇ ପୁଣି ତା କୁତୀ ଯୋଡ଼ିଏ,

ହରି ମାରି ନେଲା ଚାରି ମାଗିଲେ ନ ଦିଏ

ଲୁଚାଇ ରଖିଲା କିଣୁ ଅଣ୍ଟିରେ କୋଡ଼ିଏ,

ଛଡ଼ାଛଡ଼ି ହେଉ ଖସି ପଡ଼ିଲା ଯୋଡ଼ିଏ

 

ବାକି ଯା ବଳିଲା ତାକୁ ନେଲେ ତତକ୍ଷଣ

ଛଡ଼ାଇ କିଣୁ ହାତରୁ ସାଙ୍ଗ ଛଅ ଜଣ

ବାଣ୍ଟିଲେ ସମାନ ଭାଗେ ବଳିଲା ଦିଓଟି,

କହିବ ଟି କେଉଁ ପିଲା ଖାଇଲା କୋତୋଟି ?

 

ମୁଁ କିଏ

କହିଲ ମୁଁ କିଏ ଦେଖି କଅଣ ମୋ ନାମ ?

ନିତି ବୁଲୁଥାଏ ମୁହିଁ ନାହିଁ ମୋର ଧାମ

ମୋତେ ନ ଦେଖଇ କେହି ଅଙ୍ଗେ ହୁଏଁ ଘଷି,

ଯାହା ପାଏଁ ଧଂସିଦିଏ ବଳାତ୍କାରେ ପଶି

 

ନିଆଁ କୁ ଦେଖିଲେ ମୁହିଁ ହୋଇଯାଏ ଚିଆଁ,

ମୋତେ ଦେଖି ଡରୁଥାନ୍ତି, ଯାଙ୍କର କୁଡ଼ିଆ

ଦଣ୍ଡେ ମୁଁ ନ ଥିଲେ କାର ନ ରହିବ ପ୍ରାଣ,

ଯେଡ଼େ ବୀର ହଟିଯିବ ଦେଖିଲେ ମୋ ଟାଣ

 

ଉଶ୍ୱାସ ପାଇଲେ ଟେକିଦିଏଁ ଉପରକୁ,

ଗରୁଆ ହେଲେ ଟି ଛାଏଁ ଯିବ ସେ ତଳକୁ

ସମୁଦ୍ରରେ ଉଠାଏ ମୁଁ ବଡ଼ ବଡ଼ ଢେଉ

ବୋଇତ କଚାଡୁଥାଏ ସମ୍ଭାଳିବ କେହୁ ?

 

ମୋ ଯୋଗୁଁ ବରଷା ହୁଏ ସବୁଆଡେ ସିନା

ଫୁଲରୁ ହୁଅନ୍ତା ଫଳ କାହୁଁ ମୋହ ବିନା ?

ଯେଣେ ଇଚ୍ଛା ତେଣେ ମୁହିଁ ମୁହଁ କରିଥାଏ,

ବାଉଁଶ କୁଞ୍ଜରେ ପଶି ବଇଁଶୀ ବଜାଏ

 

ଜଳ ସ୍ଥଳ ସବୁ ବୁଲି ଦିଏ ମୁଁ ଓଳାଇ,

ମୋ ଆଗରେ ଯେ ପଡ଼ଇ ଯାଏ ସେ ପଳାଇ

ଲୁଣ

ମୋହର ନାଆଁ ଟି ଲୁଣ

କହିଲେ ନ ସରେ ଗୁଣ,

ସମୁଦ୍ର ଗର୍ଭରୁ            ଜନମ ମୋହର

ମୋତେ କେ ନ ଜାଣେ ପୁଣ ?

 

ମୋତେ କହୁଥାନ୍ତି ଖାର,

ମୋ ବିନା ଟି ନାରଖାର,

କ୍ଷଣେ ମୁଁ ନଥିଲେ            ବଣା ହେବେ ଲୋକେ

ଦିଶିବ ସବୁ ଅନ୍ଧାର

 

ମୋ ବିନା ଭାତ ତିଅଣ,

ଚଟଣି ଆଚାର ଅଣ,

ଶାକର ସନ୍ତୁଳା            ଶାଗ ଭଜା ଆଦି

ନୋହିବ କେହି ଯତନ

ମୋତେ ପୁଣି ଧୋଇ ଆଣି

ଶୁଖାଇ ବସନେ ଛାଣି,

ରୂପାର ଥାଳୀରେ            ଯତନେ ଥୁଅନ୍ତି

ରଜା ମୁଣୋହିକି ଆଣି

ଘରର ଘରଣୀମାନେ

ଘେନି ମୋତେ ସନମାନେ,

ନିତି ନିତି ନିଜ            କାମରେ ଲଗାଇ

ମାନନ୍ତି ଧନ ସମାନେ

ପ୍ରଜାଠାରୁ ରଜା ଲେଖ,

ବଡ଼ୁଁ ସାନ ଯାଏଁ ଦେଖ,

ମୋତେ ନ ପଚାରି            କିଏ ଯିବ ଚଳି ?

ସବୁଠି ମୋହର ଟେକ

 

ମୋ ମାଆ ମାଉସୀ ପାଣି

ଦେଖିଲେ ନ ରହେ ଆଣି,

ନିଜ ରୂପ ହୁଡ଼ି            ତାହା ସଙ୍ଗେ ଜଡ଼ି

ଗଲେ ତ ନ ହୁଏ ଜାଣି

 

ମୋ ପାଇଁ କେତେ ଆକଟ,

ନୋହିଲେ ହେବ ସଙ୍କଟ,

ମାଆର ବଇରୀ            ନିଆଁ ପାଖେ ଗଲେ

ହୁଅଇ ମୁଁ ଛଟଛଟ

 

ଯା ଇଛା ଖେପ ଉଦରେ

କାହାକୁ ନାହିଁ ମୁଁ ଡରେ,

ପଶିଲେ କ୍ଷଣକେ            ଦମ୍ଭ ଦେବି ସାରି

ବୈଦ ମୋତେ ଲୋଡ଼େ ଘରେ

 

ହେଜ ବା ନା ହେଜ ଚିତ୍ତେ,

ମୁହିଁ ଥିବି ପର ହିତେ,

ପରଲାଗି ସିନା            ଜନମ ସବୁରି

ମନେ ରଖିଥିବ ନିତ୍ୟେ

 

କୁନି

ବିଶି ପୋଷିଥିଲା            ଭଲ ପୁଷିଟିଏ

ତୁଳା ପରି ତାର ଦେହ,

ଖୁଆଇ ପିଆଇ            ନିତି ତାକୁ ସେହି

କରୁଥାଏ କେତେ ସ୍ନେହ

 

ଆଉଁଷି ଦିଅଇ            ତା କୋମଳ ଅଙ୍ଗ

କୋଳରେ ବସାଇ ଗେଲେ,

ମ୍ୟାଉଁ ମ୍ୟାଉଁ କରି            ତାକୁ ସେ ନ ଡରି

ମୁହଁକୁ ବଢ଼ାଇ ଖେଳେ

 

ଘାଗୁଡ଼ିରୁ ମାଳେ            ଥାଏ ତା ଗଳାରେ

ଡାକିଦେଲେ ‘କୁନି’ ବୋଲି,

ଝୁମୁରୁ ଝୁମୁରୁ            ହୋଇ ମିଳେ ପାଶେ

କି ରଙ୍ଗେ ଲାଞ୍ଜକୁ ତୋଳି

 

ଖାଇବା ବେଳରେ            ଦୁଧ ଭାତ ଗୋଳି

ଆଗେ ତାକୁ ଦିଏ ବିଶି,

କେଡ଼େ ଆହ୍ଲାଦରେ            ଖାଇଦେଲେ ପୁଣି

ସଙ୍ଗେ ଯାଉଥାଏ ମିଶି

 

ଖାଇବା ଆଗରୁ            ଧାଇଁଯାଇ ‘କୁନି’

ତୁନି ହୋଇ ଶୋଇପଡ଼େ,

ମୁଚୁଳା ଉପରୁ            ତଡ଼ିଦେଲେ ତାକୁ

ବସେ ଆସି ଛାତି ପରେ

 

ଗାଧୋଇଲା ବେଳେ            ଧୋଇଧାଇ ବିଶି

ଛାଡ଼ିଦିଏ ତାକୁ କୂଳେ,

ଝାଡ଼ିଦେଇ ଦେହ            ଚାଟି ଚାଟି ପୁଷି

ପିଠିକି ଫୁଲାଇ ଫୁଲେ

 

ଛାଇପରି ନିତି            ଚାଲିଥାଏ ପଛେ

ଯେଣେ ବିଶି ଯାଉଥାଏ,

ଜିଭକୁ ଲମ୍ବାଇ            ଚାଟୁଥାଏ ପାଦ

ନିଶ ପଟା ଖଡ଼ା ଥାଏ

 

ଖାଇବା ଦରବ            ଦେଖାଇଲେ ହାତୁଁ

ଆଗ ଗୋଡ଼େ ନିଏ ମାରି,

ଦଣ୍ଡେ ନ ଦେଖିଲେ            ବିଶିକି ସେ ପୁଷି

ହୁଏ ଆହା କେତେ ଘାରି !

 

ମ୍ୟାଉଁ ମ୍ୟାଉଁ ବୋଲି            ଏଣେତେଣେ ବୁଲି

ତା ସାଥିକି ଖୋଜୁଥାଏ,

ପଶୁ ହେଲେ କଣ !            ସଙ୍ଗସ୍ନେହଗୁଣେ

ମନୁଷ୍ୟକୁ ବଳିଯାଏ

 

ବେଙ୍ଗରଜା

ଦିନେ ହେଲା ଘୋର ବରଷା

ଗରଜିଲେ ସଘନେ

ବିଜୁଳି ଚମକ ଦେଖାଇ

ଜଳଧରେ ଗଗନେ

 

ମୁଷଳ ଧାରାରେ ଆକାଶୁଁ

ଖସି ପଡ଼ଇ ଜଳ,

କ୍ଷଣକେ ମହୀରେ ଉଛୁଳି

ପଡ଼େ ସ୍ରୋତ ପ୍ରବଳ

 

ବୁଡ଼ିଲେ ରଡ଼ିଲେ ପ୍ରଜାଏ

ଦେଖି ବେଙ୍ଗ ରାଜନ,

ଗଛମୂଳ ଗାଦି ଉପରେ

ଉଭା ହୋଇ ବହନ

 

କଚୁପତ୍ର-ଛତ୍ର ତଳରେ

ରହି ସୁଖେ ତକ୍ଷଣେ

ଚଙ୍ଗ ଚଙ୍ଗ ବେଙ୍ଗ ପ୍ରଜାଙ୍କୁ

ଦମ୍ଭ ଦେଲା ଏସନେ

 

ଶୁଣ ଶୁଣ ମୋର ପ୍ରଜାଏ

ଡର କିପାଁ ତୁମ୍ଭର,

ଛାର ଇନ୍ଦ୍ର ପରା ଦେଖାଏ

ଗର୍ବ ଆମ୍ଭ ପାଶର

 

ଏକସ୍ୱରେ ଡାକ ଛାଡ଼ି ରେ !

ପଶୁ ଆକାଶେ ଯାଇ

ସବୁ ଦେବତାଏ ଜାଣନ୍ତୁ

ଇନ୍ଦ୍ରର ଏ ବଡ଼ାଇ

 

ସୃଷ୍ଟିକି କଲେ ଯେ ବିଧାତା

ନିଶ୍ଚେ ପ୍ରତିବିଧାନ

କରିବେ ଏହାର, ଶୁଣିଲେ

ତୁମ୍ଭ ଡାକକୁ ଜାଣ

 

ତୁହାଇ ତୁହାଇ ଡାକ ରେ !

କାନ ହେଉ ବହିଡ଼ା,

ଏ ଗର୍ବୀ ମାନବେ ଦେଖନ୍ତି

ପରା ହୋଇଣ ଛିଡ଼ା

 

ରଡ଼ୁ ରଡ଼ୁ ଛିଡ଼ିପଡ଼ିଲା

ଚାହୁଁ ବରଷା ଖରେ

ଶ୍ରବଣ ବଧିର ହୋଇଲା

ତାଙ୍କ ଡାକ ନ ସରେ

ଫୁଲ

ମୋ ବାସ ଗଛରେ

ଲଟା ବୁଦାରେ

ଶାଗ ଶିଉଳିରେ

ଘାସ ହୁଡ଼ାରେ

ମୁଁ ଥାଏ ପର୍ବତେ

ଜଳ ସ୍ଥଳରେ

ବନେ ଉପବନେ

କୂଳ କନ୍ଦରେ ।

 

 

ମୁଁ ଥାଏ କୁଞ୍ଜରେ

ମନ୍ଦିର ପାଶେ

ସଞ୍ଜ ସକାଳରେ

ମୁଁ ଫୁଟି ବାସେ

କେତେ ତପସ୍ୟାରେ

ପାଇଛି ମତେ

ଖରା ବର୍ଷା ସହି

ଗଛ ଜଗତେ

 

 

ମୋ ରୂପ ସୁନ୍ଦର

କେତେ ନିର୍ମଳ

ପତର ଉପରେ

ଦିଶେ ସୁଢଳ

କି ଯୁବା ବାଳକ

ଅବା ସ୍ଥବିର

ମୋତେ ଦେଖିଲେଟି

ହୋନ୍ତି ଅଧୀର

ରଜା ହେଲେ ସୁଦ୍ଧା

ବଢ଼ାନ୍ତି ହାତ

 

 

ହୁଏ ଯେବେ ମୋଠି

ତାଙ୍କ ଦୃକ୍‌ପାତ

ମୋତେ କେ ଗଳାରେ

କେବା ମୁଣ୍ଡରେ

ଥୁଅନ୍ତି, ନା ଦଳେ

କେହି ପୟରେ

ମୋ ବାସ ଚୌଦିଗେ

ଯାଏ ଚହଟି

 

 

ପବନ ମହକି

ଥାଏ ଜାଣଟି ?

ବଣା ହୋଇ ଧାଇଁ

ଆସେ ଭଅଁର

ଆଦରନ୍ତି ପଶୁ

ପକ୍ଷୀ ସକଳ

ମୋ କାନ୍ତି ଦେଖିଲେ

ଯୋଗୀଙ୍କ ଶାନ୍ତି

ମୋ ଦେହେ ଦେବତା

ସେ ଦେଖୁଥାନ୍ତି

ପୂଜା ଲାଗି ମୁହିଁ

ଯାଏ ବିଧିରେ

କେଉଁ ଦେବତାର

ନ ବସେଁ ଶିରେ !

କେଉଁ ଘର ମଣ୍ଡି

ନ ଦିଏ ମୁହିଁ !

 

 

ଆଦରେ ନ ନିଏ

କେ ଚାନ୍ଦମୁହୀଁ !

ମୋହଯୋଗୁଁ ପଟ

ଯାଏ ନିସ୍ତରି

କୀଟ ବସେ ପୁଣି

ଶିରେ ସବୁରି

ବିଲୁଆ ରଜା

ଘୋର ଜଙ୍ଗଲ ମଧ୍ୟରେ

ନଅର ମୋହର

ଖଟିଛନ୍ତି ନିତି କେତେ

ଛାମୁରେ ଚାକର

ମହାବଳୀ ମନ୍ତ୍ରୀ ମୋର

ଚିତାବାଘ ପାତ୍ର

ଗଧିଆ ଯୋଡ଼ାଏ ଦ୍ୱାରୀ

ରହିଛନ୍ତି ମାତ୍ର

 

 

ବାଘ ଜଗେ ଗନ୍ତାଘର

ଭାଲୁ କରେ ନାଟ

ନଅର ବାହାରେ ଛାଡ଼େ

କୁକୁର କୁହାଟ

ମାଙ୍କଡ଼ ଡାଳରେ ବସି

ଶିରେ ଛତା ଧରେ

ଚଅଁର ଢାଳଇ ହାତୀ

ମୋ ଗାଦି ପାଖରେ

 

 

ମୟୂର ଗାଦୀ ଉପରେ

ପୁଚ୍ଛକୁ ମେଲାଇ

ରହିଥାଏ ମୋ ମୁଣ୍ଡକୁ

ମହୁଡ଼ ଚଢ଼ାଇ

କୁଆ କୁମ୍ଭାଟୁଆ ମିଳି

ବଜାନ୍ତି ନାଗରା

ପହରକେ ଦିଏ ଥରେ

ବିଲୁଆ ପହରା

 

 

କେ ପାନବରଜେ ଯାଏ

କେ ଖୋଜେ ଶିକାର

ସବୁ ଜୁଟ ହେଲେ ମୋର

ବସେ ଦରବାର

ମନ୍ତ୍ରିବର ମହାବଳ

ସବୁ ଦିଏ ବାଣ୍ଟି

ଫିଟିଯାଏ ସଭିଙ୍କର

ତହୁଁ ଦାନ୍ତପାଟି

 

 

ହାତୀ ଭାଲୁ ମାଙ୍କଡ଼ଙ୍କୁ

ଦିଅନ୍ତେ ଅନାଇଁ

ଡାଳ ଫଳ କିଛି ତଳେ

ଦିଏ ସେ ପକାଇ

ଚରଚା ସରନ୍ତେ ଆସି

ଡଗରା ବିଲୁଆ

ରାଜ୍ୟର ବାରତା କହେ

ନ କରି ପରୁଆ

 

 

ଭାଟ ପରି ମୟୂରଟା

ଛାଡ଼ୁଥାଏ ଡାକ

ରଡ଼ିଯାନ୍ତି ଥରେ ଥରେ

ଦରବାରୀ ଯାକ

ଦେଖୁଁ ଦେଖୁଁ ହେଲାସଞ୍ଜ,

ଉଠି ତତକ୍ଷଣ

ବିଲୁଆ ଭାଇଏ ମିଳି

କଲେ ସଂକୀର୍ତ୍ତନ

ସମସ୍ତେ ଚିଡ଼ିଲେ ତାଙ୍କୁ,

ମାତ୍ର ମୋତେ ଡର

ସବୁ ବଳଠାରୁ ବଡ଼

ସିନା ବୁଦ୍ଧିବଳ ?

କାକ କୁକୁଟ

କୁକ୍‌ କୁକ୍‌ କୁକୁଟରେ କିମ୍ପା ଦେଉ ଡାକ,

‘‘କାଆ କାଆ କାଆ ତୁହି ରାବୁ କିଆଁ କାକ ?

‘‘ମୁଁ ଥାଏ ସଂସାର ହିତେ ଖାଇ ଧୂଳି ମଳ

‘‘ଲୋକଙ୍କୁ ଦିଅଇ ପୁଣି ମୋ ଡିମ୍ବ ସୁଢ଼ଳ

 

ସୁପ୍ତକୁ ଚେତାଇ ମୁହିଁ କରେ ଉପକାର

ବେଳ କାଳ ଉଣ୍ଡି ଡାକେ ଦେଖି ଘରଦ୍ୱାର

‘‘ତୋ ରାବଟା ବଡ଼ କଡ଼ା ଲାଗେ ବିଷ ପରି

‘‘ତୁଚ୍ଛାକୁ ଚହଳ କରୁ ଘର ଘର ଚରି

 

ତୋ ନାମ ଜାଣଇ କିଏ ପକ୍ଷୀ-କୁଳାଙ୍ଗର !

ମ୍ଳେଚ୍ଛ ଆବର୍ଜନା ସ୍ଥାନେ ତୋହର ସଞ୍ଚାର

‘‘ମଳ ଖାଇ ବୃଥା ଗର୍ବ କରୁ ରେ ବର୍ବର !

‘‘ସାହେବସୁବାଙ୍କ ମେଳେ ଆଦର ମୋହର

 

‘‘ମୋ ପ୍ରାଣ ଦେବାରେ ସିନା ବଢ଼େ ତାଙ୍କ ମାନ

‘‘ଦଧିଚିଙ୍କ ଯୋଗେ ଯଥା ଦେବଙ୍କ ସମ୍ମାନ

‘‘ତୋପରି ପେଟଚିହ୍ନରା ଅଛି କେ ପାମର ?

ପରଦ୍ରବ୍ୟ ଖାଇ ନିତି ଲଗାଉ ଚହଳ ’’

 

‘‘ବୃଥା ଅହଙ୍କାର ସିନା ଦେଖାଉ କୁକୁଟ !

ତୋର ମୋର ଯାହା ସବୁ ବିଧାତାର କୂଟ

ମୋ ହାତେ ଯା ହେବ, ତାହା ନୋହିବ ତୋ ହାତେ,

ବୃଥା କଳି କରୁଥାଇଁ କିପାଇଁ ଅଜ୍ଞାତେ ?

 

ତୁହି ଭଲ ମୁହିଁ ଭଲ ସମସ୍ତେ ସମାନ

ମୁଁ ବଡ଼ ସେ ସାନ ବୋଲି ବୃଥା ଅଭିମାନ !’’

ଖଣ୍ଡ ଖିରି

ଖିରି ବୋଲେ ଖଣ୍ଡ ତୁହି ମୋଠାରୁ କି ବଡ଼ ?

ମୋହ ରୂପ କେଡ଼େ ତୋରା ଦେହଟି କୋମଳ

ଦୂରରୁ ପିଲାଏ ମୋତେ ଦେଖି ଦେଲେ ଥରେ

ଧାଇଁ ଆସି ଘେରି ଯାନ୍ତି କେଡ଼େ ହରଷରେ !

 

ଯେତେ ଭୁଲାଇଲେ ଭଲା ମୋତେ କେ ଛାଡ଼ିବ ?

ମୋତେ ଯେ ଦେଖିବ, ତାର ଲୋଭ ତ ବଢ଼ିବ

ତୋ ରୂପ ମଳିନ ପୁଣି ଦେଖି ହୁଏ ଘୃଣା

ମୋ ତେଜକୁ ଆହୁରି ତୁ କରିଦେଉ ଊଣା !

 

‘‘ଲାଜ ନାହିଁ ଖିରି ତୋତେ କରୁଛୁ ବଡ଼ାଇ

‘‘ରୂପଟି ସୁନ୍ଦର ସିନା ଗୁଣ ତୋର କାହିଁ ?

‘‘ତୋ ସଙ୍ଗେ ମୁଁ ନ ମିଶିଲେ କିଏ ପଚାରିବ ?

‘‘ଖାଲି ରୂପ ଦେଖି କିଏ ଆଦର କରିବ ?

 

‘‘ମୋ ମଧୁରଭାବ ପାଇଁ ସମସ୍ତେ ଭୁଲନ୍ତି

‘‘ତୋପରି ନ ଦିଶେ ବୋଲି ଜାଣି ନ ପାରନ୍ତି

ମୋଠାରୁ ବଳି କି ତୋର ଅଛି ମିଠା ଗୁଣ ?

ମୋହ ଗୁଣ ଅଧିକେ ତୁ କରି ଦେଉ ଖୁଣ

 

ତୁ ନ ଥିଲେ ମୋ ଆଦର ହେବ ନାହିଁ ଊଣା,

ମୁଁ ନ ଥିଲେ ତୋତେ କିଏ କରିବ ଫୁରୁଣା ?

‘‘ଅକାରଣେ ଖିରି କିଆଁ କରୁ ଏତେ ଟେକ,

‘‘ରୂପଟିକେ ଗୁଣଟିଏ ରହିଛି ତ ଦେଖ

 

‘‘ଯାହାକୁ ଯେ ଯୋଗ୍ୟ ତାକୁ ଦିଅନ୍ତି ମିଶାଇ

‘‘ହୋଇଛି ସବୁରି ସୃଷ୍ଟି ସିନା ସେଥିପାଇଁ ?

ମଶା ମହୁମାଛି

ନିତି ନିତି ଆରେ            ମହୁମାଛି ତୁହି

ବୁଲୁଥାଉ ଫୁଲେ ଫୁଲେ;

କୃପଣ ପରାଏ            ମହୁ ସଞ୍ଚୁ ଥାଉ

ନ ଖାଉ ପେଟକୁ ଠୁଳେ !

 

ଦିନେ ହେଲେ ସୁଖ            ନ ଜାଣିଲୁ ତୁହି

ଜୀବନଟା ଅକାରଣ;

ମୋ ସୁଖ ଦେଖରେ            ଘରେ ବସି କରେ

ସବୁରି ସାର ଶୋଷଣ

 

‘‘ଧିକ ଧିକ ଶତ            ଧିକ ମଶକ ରେ !

ତୁ ପୁଣି କରୁ ବଡ଼ାଇ ?

କାମ ନ କରି ତୁ            ସୁଖ ବୋଲି କହୁ

ପର ରକ୍ତ ନିତି ଖାଇ

 

ତୋହପରି ମୁହିଁ            ପର ଅହିତକୁ

କରି ତ ନାହିଁ ରେ କାର,

ପରିଶ୍ରମ କରି            ମଣଇ ମୁଁ ସୁଖ

ନ କରଇ ଅପକାର

 

ନିଜ ବଂଶ ପାଳି            ସଞ୍ଚିଥାଏ ଯାହା

ଲାଗଇ ତା ପର ହିତେ,

ଅମୃତ ସମାନେ            ଘେନି ଯାନ୍ତି ତାହା

ଜନେ କି ପ୍ରସନ୍ନ ଚିତ୍ତେ !’’

 

ରୋଷେ ଭାଷେ ମଶା,            ‘‘କେଡ଼େ ଲୋକହସା

ନ ହେଉ ତୁହି ପାମର,

ତଡ଼ି ଦେଇ ତୋତେ             ନେଇ ଯାନ୍ତି ଯେବେ

ସଞ୍ଚା ଧନ ସୁଖୀ ନର ?

 

ଆହାର ପାଇଁ ତୁ            ଫୁଲେ ଫୁଲେ ବସି

କି ହିତ କରୁ କାହାର ?

ଫୁଲର କୋମଳ            ଅଙ୍ଗେ ଲାଗି ସିନା

କରୁ ତାକୁ ନାରଖାର ?

 

ରସ ଶୋଷି ତାର            କିବା ହିତ କରୁ ?

ଏଡ଼େ ଗର୍ବ ମୋ ଆଗରେ

ମୁଁ ସିନା କୌଶଳେ            ମୋ ବୀଣା ଶୁଣାଇ

ଚୁମ୍ବି ଦିଏ ଥରେ ଥରେ ’’

 

‘‘ନିଅନ୍ତୁ ପଛକେ            ତଡ଼ିଦେଇ ଲୋକେ

ରହୁ ତାଙ୍କ ବଡ଼ପଣ,

ପର ଉପକାରେ            ଲାଗିଲା ଯେବେ ସେ

ସାର୍ଥକ ମୋହର ଧନ

 

ତୋହପରି ଖଳ            ନୁହଁଇ ରେ ମୁହିଁ

ପର ଛିଦ୍ର ଖୋଜି ନିତି

ଦେହେ ଦେହେ ରୋଗ-      ବୀଜ ବୁଣି ଦେଇ

ଲୋକେ ଅଣାଇବି ଭୀତି

 

ଘୋର ଗରଳକୁ            ସୁଧାମଣୁ ତୁହି

ସୁଖକୁ କହୁଛୁ ଦୁଃଖ,

ମୋହ କାର୍ଯ୍ୟ ଦେଖି            ପ୍ରସନ୍ନ ସମସ୍ତେ

ତୋତେ କିଏ ପାଏ ସୁଖ ?

 

ଏ କାଳରେ ଲୋକେ            ମୋହ ଶ୍ରମ ଦେଖି

କରନ୍ତି କେତେ ପ୍ରଶଂସା,

କର୍ମୀଙ୍କ ମଧ୍ୟରେ            ଉଚ୍ଚ ସ୍ଥାନ ଦେଲେ

ତୋତେ କେ ଜାଣେ ରେ ମଶା ?

 

ଶ୍ରମ କରମକୁ            ସୁଖ ମଣନ୍ତି ରେ

ସବୁ କାଳେ ଲୋକମାନେ,

ଘରେ ବସି ପର            ଅନିଷ୍ଟ ପାଞ୍ଚିବା

ସୁଖ ବୋଲି କିଏ ଜାଣେ !’’

 

ମଉନରେ ମଶା            ବସି ମନେ ମନେ

ତହୁଁ ପାଞ୍ଚିଲା ଏସନ,

ମାଛି ପରି ହେବା            ବହୁତ କଠିନ

କାହିଁ ଶକତି ତେସନ

 

ମୋ ପରି ଅଳସ            ଅପକାରୀଟାକୁ

କିମ୍ପା କେ କରିବ ଭୟ ?

ସଂସାରର ହିତ            ନ କରିଲେ ସିନା

ବିଫଳ ଏ ଜନ୍ମ ଦେହ ’’

ମୁଁ ହେବି

ଦେଶର ସେବାରେ

ଲଗାଇବି ମନ

ଦେଶ ଭଲପାଇଁ

ଭାବୁଥିବି ନୀତି,

ଖବର କାଗଜେ

ଦେଖାଇବି ଭୀତି

 

 

ରାଜାଙ୍କ ସଙ୍ଗରେ

ହେଉ ପଛେ କଳି,

ଦେଶପାଇଁ ମୁହିଁ

କରୁଥିବି ଅଳି

ରାଜ୍ୟୁ ଅତ୍ୟାଚାର

କରାଇବି ଦୂର,

ମଣୁଥିବେ ଦେଶ

ଳୋକେ ବାହାଦୁର

 

ମୁଁ ବକ୍ତୃତା ଦେଲେ            ପଡ଼ିବ ଚହଳ,

ଯେଣେ ଯିବି ତେଣେ      ଲୋକଙ୍କ ଗହଳ ’’

( ସମସ୍ତେ ) ଯିଏ ଯାହା କରୁ      ସମସ୍ତେ ଦେଶର

କାମ ହିଁ କରିବା      ବାଛିଲେ କି ଫଳ ?

 

ସ୍ୱଭାବ ଯାହାର      ଥିବଟି ନିର୍ମଳ

ସେହି ମଣ୍ଡଳୀରେ      ପାଇବ ଆଦର

ଆପେ ସାଧୁ ହେଲେ,      କର ଯେଉଁ କାମ

ସେଥିରେ ନିଜର      ବଢ଼ିବ ସୁନାମ

 

ରାମ ବୋଲେ ହସି,

‘‘ମୁଁ ହେବି ଡାକ୍ତର,

ଗାଡ଼ି ଘୋଡ଼ା ଚଢ଼ି

ଯିବି ରୋଗି-ଘର

ଦରଶନୀ ଟଙ୍କା

ନେବି ଘରେ ଘରେ,

ଅଉଷଧ ଡାବ

ଲେଖିଦେବି ଥରେ

 

 

ହାତେ ଥିଲେ ଛୁରୀ

ଯେଡ଼େ ବ୍ରଣ ହେଉ,

କାଟି ଯୋଡ଼ି ଦେବି

ନ ଦିଶିବ ସେହୁ

ମଳୁ ମରୁ ବଞ୍ଚୁ

ମୋ ପଇସା ଥୁଆ,

କାହିଁ କିଛି ମୋର

ନ ଥିବ ଅଡ଼ୁଆ

 

 

ମଳୁ ଭଲ ହେଲେ

ମିଳିବ ଇନାମ

ଲୋକରେ ଜାହିର

ହୋଇବ ମୋ ନାମ

ଚାରିଆଡ଼େ ମୋର

ବଢ଼ିବ ଆଦର

ମୋ ଲେଖାକୁ ଥିବ

ସଭିଙ୍କର ଡର

 

 

ହରି କହେ, ହେବି

‘‘ମୁ ବଡ଼ ଓକିଲ

ଘରେ ପରି ରହି

ଥିବେ ମହକିଲ

ପାଖେ ଆଣି ଯେବେ

ଥୋଇଦେବେ ଟଙ୍କା,

ଅଳ୍ପଥିଲେ ମୁହିଁ

କରିଦେବି ବଙ୍କା

 

 

ମିସଲେ ଦିପଦ

କଥାକୁ ମୋହର;

ଟଙ୍କା ଗଣିବାକୁ

ନ ଥିବ ଟି ତର

ଆଇନ ବଳରେ

କରିବି ପ୍ରମାଣ

ମିଛଟାକୁ ସତ

ସତେ ମିଛେ ଜାଣ

 

 

ମାମଲାରେ ଜିତି

କାକୁ ଦେବି ସାରି,

କାହାକୁ ତାରିବି

କରି ନାମ ଜାରି

ନେବି ଜମିଦାରୀ

ଡାକି ନିଲାମରେ

ହେବି ବଡ଼ ଲୋକ

ସବୁରି ମଧ୍ୟରେ

 

 

ବଡ଼ ବଡ଼ କାମ

ଆଦରିବି ମୁହିଁ,

ଯହିଁ ଯିବି ଟଙ୍କା

ଆଣୁଥିବି ଦୁହିଁ ’’

ମଧୁ କହିଲା, ‘‘ମୁଁ

ହୋଇବି ମାଷ୍ଟର

ପିଲାଙ୍କର ମୋତେ

ଥିବ ସଦା ଡର

 

 

ଲେଖାପଢ଼ା ସବୁ

ଦେବି ମୁଁ ଶିଖାଇ

ମୂର୍ଖ-ଦୋଷ ଗଲେ

ଆଉ ଭୟନାହିଁ

ବିଦ୍ୟା ମହାଧନ

ମୁଁ ଦେବି ସଭିଙ୍କି,

ତାକୁ ଟି ଦିହକ

ହେଉଥିବେ ବିକି

 

 

କେ ହେବ ଓକିଲ

କେ ହେବ ଡାକ୍ତର,

କି ଏ ବା ଦାରୋଗା

କେବା ମେଜେଷ୍ଟର

ଚାରିଆଡ଼େ ମୋର

ଶିଷ୍ୟ ଖେଳିଯିବେ,

ମୋତେ ଦେଖିଲେ ତ

ହାତ ଉଠାଇବେ ’’

 

 

ରାସ କହେ ହସି,

‘‘ଡେପୁଟି ହୋଇବି,

ମିସଲ ଉପରେ

ଠାକୁର ସାଜିବି

ବାଦୀ ପ୍ରତିବାଦୀ

ଓକିଲ ମୋକ୍ତାର

କହିବେ ହଜୁର

ଧର୍ମ ଅବତାର !

 

 

ସଜା ଦେଲାବେଳେ

ମୁହିଁ ଜାଣ ରାଜା

ନ ମାନିଲେ ମୋତେ

ପାଇଯିବେ ମଜା

ଯେଣେ ଗଲେ ତେଣେ

ପଡ଼ିଯିବ ହୁରି,

ଡେପୁଟି ବାବୁଙ୍କୁ

ଡର ତ ସବୁରି

 

 

ବନ୍ଦୋବସ୍ତ ବେଳେ

କଲେ ଜମାବୃଦ୍ଧି

ସରକାର ପ୍ରଶଂସା

କରିବେ ମୋ ବୁଦ୍ଧି ’’

କୃଷ୍ଣ କହିଲା,

ପୋଲିସ ବିଭାଗ

ଆଦରି ସାଧିବି

ଯେତେ ଥିବ ରାଗ

 

 

ତୁଚ୍ଛା ଧମକରେ

ଟଙ୍କା ନେବି ଛାଣି,

ମୋତେ ତ ଦେଖିଲେ

ଡରେ ଦେବେ ଆଣି

ଶୂନ୍ୟରେ ମାମଲା

ଦେଉଥିବି ଗଢ଼ି,

ମୋ ପିଛା ଧଇଲେ

ଦେବି ହାତକଡ଼ି

 

 

ମୋ ସଙ୍ଗେ ଅପଡ଼

ହେବ ଯେବେ କାର,

ଅଳ୍ପଦିନେ ସର୍ବ-

ନାଶଟି ତାହାର

ରଙ୍ଗ ପାଗ ଦେଖି

ଲୋକେ ଥରହର,

ଶାନ୍ତି ରକ୍ଷା ପାଇଁ

ଥିବି ତତପର

 

 

ମେଳି ଗୋଳମାଳ

ଭାଙ୍ଗି ଦେବି ସୁଖେ,

ପାଇବି ପ୍ରଶଂସା

ସରକାର ମୁଖେ ’’

ବାସୁ କହିଲା, ‘‘ମୁଁ

ହୋଇବି ଅମଲା,

ଟଙ୍କାରେ ସଜାଡ଼ି

ଦେବି ମୁଁ ମାମଲା

 

 

ଅଣ୍ଟାଗୁଞ୍ଜା ମୋତେ

ମିଳୁଥିବ ନିତି,

ନଥିବ କୁଟୁମ୍ବ

ପୋଷିବାକୁ ଭୀତି

କଚେରୀରେ ମୋତେ

ଯେଡ଼େ ଟି ଆଦର

ହାକିମଙ୍କୁ କିଆଁ

ହେବ ତେଡ଼େ ଡର ?

 

 

ବଡ଼ ସୁଖ କାମ,

ବାଜେ ରୋଜଗାର-

ଯୋଗେ ମୁଁ କରିବି

ଭଲ ଘରଦ୍ୱାର ’’

ଗୋପୀ କହିଲା, ‘‘ମୁଁ

ଯିବି ଡାକ ଘରେ,

ଚଳାଇବି ଡାକ

କାମ ଯତନରେ

 

 

କେତେ ଲୋକଙ୍କର

ହେବ ଉପକାର

ବିଶ୍ୱାସ କରିବେ

ନିଜେ ସରକାର

ବିଶ୍ୱାସରେ କାମ

କରୁଥିବି ଭାଇ

ବାଜେ ପଇସାକୁ

ମୋର ଲୋଭ ନାହିଁ’’

 

 

ରାଧୁ କହିଲା,

‘‘ମୁଁ ଚାକିରି ନ କରି

ବାନ୍ଧିବି ଦୋକାନ

ବହୁଦ୍ରବ୍ୟେ ଭରି

କେତେ ଯେ ଗ୍ରାହକ

ଆସୁଥିବେ ପାଶେ

ଯେଝା ପ୍ରିୟ ବସ୍ତୁ

କିଣି ନେବେ ବାସେ

 

 

ଓକିଲ ଡେପୁଟି

ଦାରୋଗା ମାଷ୍ଟର

ହେବେ ଏ ସମସ୍ତେ

ଲହର ପହର

ରୋକି ଦେଲେ ମୁହିଁ

ନ ଚଳିବ କ୍ଷଣେ

ମୋର ଡର ନାହିଁ

କାହାକୁ ତ ଜଣେ

 

 

ବେପାର ଲାଭରେ

ବଢ଼ିଯିବ ଧନ

ଧନସଙ୍ଗେ ଟାଣ

ହେଉଥିବ ମନ

ହାତଗୋଡ଼ ବାନ୍ଧି

ମୁଁ କିଆଁ ଖଟିବି

ଆଜ୍ଞା, ଛାମୁ କହି

ଦିନ କଟାଇବି ’’

 

 

ମାଗୁଣି କହିଲା,

‘‘ହେବି କାରିଗର

ଏହି ହାତରେ ମୁଁ

ନାନାଦି ସୁନ୍ଦର

ଖେଳନା ପିତୁଳା

ନିତି ଦରକାରୀ

ଯାବତ ଜିନିସ

କରିବି ତିଆରି

 

 

ହରଷେ ଗ୍ରାହକେ

ନେବେ ଦେଇ ଧନ

ଆପଣା ଭବନ

ମଣ୍ଡିବା କାରଣ

ମୋର ହାତ ଯଶ

ବ୍ୟାପି ଯିବ ଲୋକେ,

ପୁରସ୍କାର ଯାଚି

ଦେବେ ପୁଣିଥୋକେ

 

 

ଘରେ ବସି ମୁହିଁ

ଅରଜିବି ଟଙ୍କା,

କାହାରି କଥାକୁ

ନ ଥିବ ମୋଶଙ୍କ’’

‘‘ଯାହା ହୁଅ ଭାଇ,

ମୁଁ ହୋଇବି ଚଷା

ଚାଷକୁ ପରଶୁ

କରିବ ଭରସା

 

 

ମାଟିରେ ଲାଗିଲେ

ଦୁଃଖ ପାଏ କିଏ ?

ମାଆ ବସୁନ୍ଧରା

ତାକୁ ସୁନା ଦିଏ

ଚାଷ କରି ମୁହିଁ

କୁଟୁମ୍ବ ପୋଷିବି

କିଣିଖିଆଙ୍କୁ ଟି

ସବୁ ଯୋଗାଇବି

 

 

ବିଶି କହେ, ‘‘ମୁହିଁ

ଛାଡ଼ି ଦେଇ ଧନ

ଦେଶର ସେବାରେ

ଲଗାଇବି ମନ

ଦେଶ ଭଲପାଇଁ

ଭାବୁଥିବି ନୀତି,

ଖବର କାଗଜେ

ଦେଖାଇବି ଭୀତି

 

 

ରାଜାଙ୍କ ସଙ୍ଗରେ

ହେଉ ପଛେ କଳି,

ଦେଶପାଇଁ ମୁହିଁ

କରୁଥିବି ଅଳି

ରାଜ୍ୟୁ ଅତ୍ୟାଚାର

କରାଇବି ଦୂର,

ମଣୁଥିବେ ଦେଶ

ଳୋକେ ବାହାଦୁ

 

 

ମୁଁ ବକ୍ତୃତା ଦେଲେ

ପଡ଼ିବ ଚହଳ,

ଯେଣେ ଯିବି ତେଣେ

ଲୋକଙ୍କ ଗହଳ ’’

(ସମସ୍ତେ) ଯିଏଯାହାକରୁ

ସମସ୍ତେ ଦେଶର

କାମହିଁ କରିବା

ବାଛିଲେ କି ଫଳ?

 

 

ସ୍ୱଭାବ ଯାହାର

ଥିବଟି ନିର୍ମଳ

ସେହି ମଣ୍ଡଳୀରେ

ପାଇବ ଆଦର

ଆପେ ସାଧୁ ହେଲେ,

କର ଯେଉଁ କାମ

ସେଥିରେ ନିଜର

ବଢ଼ିବ ସୁନାମ