Unknown

ରାଜଭକ୍ତି

ଶ୍ରୀ ଚିନ୍ତାମଣି ମହାନ୍ତି

(କଳହଂସ କେଦାର)

 

ନୃପର ପ୍ରଜାଙ୍କର ପିତା ସମାନ,

କର ତାହାଙ୍କୁ ଶିଶୁ ଭକ୍ତି ସମ୍ମାନ;

ଭୁଞ୍ଜଇ ସୁଖ ପ୍ରଜା ତାଙ୍କ ସନ୍ତୋଷ,

ଘୋର ଦୁର୍ଗତି ଲଭେ ଭୂପତି ରୋଷେ ।

 

ନୁହନ୍ତି ନରପତି ସାମାନ୍ୟ ନର,

ନର ରୂପରେ ଜାତ ସ୍ୱର୍ଗ ଅମର;

କର ହେ ଏହା ଜାଣି ତାଙ୍କୁ ଅର୍ଚ୍ଚନା,

ଗାଅ ବାଳକେ ତାଙ୍କ କୀର୍ତ୍ତବନ୍ଦନା ।

 

ରାଜ୍ୟ-ତରୀର ରାଜା ସ୍ୱକର୍ଣ୍ଣଧାର,

ରାଜା ବିହୁନେ ହୁଏ ତା ଛାରଖାର

ନୃପତି ଅରାଜକ ଉପଦ୍ରବରୁ,

ନ ରଖିଲେ ସେ ରାଜ୍ୟ ହୋଇବ ମରୁ

 

ମହାତରୁ, ଆଶ୍ରିତ ତରୁକୁ ଯଥା,

ବଞ୍ଚାଇ ରଖିଥାଏ ସଦା ସର୍ବଥା;

ତେସନ ଧରି ରାଜା କରୁଣାଧ୍ୱଜା,

ଆପଦ ଉପଦ୍ରବୁ ରଖନ୍ତି ପ୍ରଜା ।

 

ଶାସନ କରି ନୃପ ଖଣ୍ଟ ତସ୍କରେ,

ଆବର ଅତ୍ୟାଚାରୀ ଦୁର୍ବୁତ୍ତ ନରେ;

ପ୍ରବଳ ପୀଡ଼ନରୁ ଦୁର୍ବଳ ଜନେ,

ବଞ୍ଚାଇ ରଖନ୍ତି ତା ଜୀବନେ, ଧନେ ।

 

ନୃମଣି ସାକ୍ଷାତରେ ଧର୍ମ୍ମାବତାର,

ସାଧନ୍ତି ପ୍ରଜାପୁଞ୍ଜ ସୁଉପକାର;

ବିପୁଳ ଅର୍ଥବ୍ୟୟେ ନ କରି ଦ୍ୱିଧା,

କରନ୍ତି ପ୍ରଜା ହିତେ ନାନା ସୁବିଧା ।

 

ସଂସ୍ଥାପି ସ୍ଥାନେ ସ୍ଥାନେ ଶିକ୍ଷାଆଗାର,

ଖୋଲି ଦିଅନ୍ତି ପ୍ରଜା ଉନ୍ନତି ଦ୍ୱାର;

ଖର୍ଚ୍ଚ ଉନ୍ନତି ମୂଳ ଶିକ୍ଷା କେବଳ,

ଜୀବନ ତା ଅଭାବେ ସିନା ବିଫଳ ।

 

ପ୍ରଜା କୁଳର ରାଜା ମହଦାଶ୍ରୟ;

ସ୍ଥାପନ୍ତି ପ୍ରଜାହିତେ ଔଷଧାଳୟ;

ଦରିଦ୍ର ପ୍ରଜାପୁଞ୍ଜ ରୋଗ ସମୟେ,

ପାଆନ୍ତି ସୁଔଷଧ ତହୁଁ ଅବ୍ୟୟେ ।

 

ପ୍ରଜାଙ୍କ ଗତି ବିଧି ସୁବିଧାପାଇଁ,

ନିର୍ମ୍ମାଣି ରାଜପଥ ରାଜ୍ୟେ ନୃସାଇଁ;

ରୋପନ୍ତି ରଥ୍ୟାତରୁ ବେନି ପାଶରେ,

ଛାୟାରେ ବିଶ୍ରାମନ୍ତି ପଥିକ ନରେ ।

 

୧୦

ବାଣିଜ୍ୟର ସୁବିଧା ହୁଏ ସେ ପଥେ,

ଘେନି ବଣିକେ ପଣ୍ୟ ଦ୍ରବ୍ୟ ଗୋରଥେ;

କରିଣ ବିକା କିଣା ଦେଶ ବିଦେଶେ,

କରନ୍ତି ଅର୍ଥାଗମ ଦେଶେ ବିଶେଷେ ।

 

୧୧

ରାଜ୍ୟରେ ଜଳାଶ୍ରୟ କରି ଖନନ,

କରନ୍ତି ରାଏ ଜଳକଷ୍ଟ ମୋଚନ;

ଅନାବୃଷ୍ଟିରେ ତହୁଁ ଘେନି ଜୀବନ

କରନ୍ତି ଶସ୍ୟ ରକ୍ଷା କୃଷକଗଣ ।

 

୧୨

ବହୁ ବୃଷ୍ଟିରୁ ଶସ୍ୟ ସୁରକ୍ଷା ହେତୁ,

ବନ୍ଧାନ୍ତି ସ୍ଥାନେ ସ୍ଥାନେ ନୃପତି ସେତୁ;

କାହିଁବା ହୁଏ ଖାତ ପୟଃ ପ୍ରଣାଳୀ,

ନିର୍ବିଘ୍ନେ ବଢ଼େ ତହୁଁ କେଦାରେ ଶାଳି

 

୧୩

କାହିଁବା ଦେବାଳୟ ପାନ୍ଥ ଆଗାର,

ପ୍ରସ୍ତୁତ ହୁଏ ବିଜ୍ଞ ନୃପ ଆଜ୍ଞାର;

ବଢ଼ଇ ତହିଁ ପ୍ରଜା ଧର୍ମ ଆଶୟ,

ରାଜାନୁଗତ ଧର୍ମ ଏହା ନିଶ୍ଚୟ ।

 

୧୪

କରନ୍ତି ଦୋଷେ ରାଜା ଦଣ୍ଡବିଧାନ,

ଗୁଣରେ ପୁରସ୍କାର କରନ୍ତି ଦାନ;

ଦୁଷ୍ଟଦଳନ ପୁଣି ଶିଷ୍ଟପାଳନ,

ଏ ବ୍ରତ ଧରିଥାନ୍ତି ସଦା ରାଜନ ।

 

୧୫

ପ୍ରଜାର ଧନ, ଦାରା, ଜୀବନ, ଧର୍ମ,

ସୁରକ୍ଷା ଅଟେ ସିନା ନୃପତି କର୍ମ;

ଧରଣୀ ପାପକ୍ଷୟ କରନ୍ତି ରାଏ,

ସତ୍ୱଧରମ ତହୁଁ ପ୍ରବୃଦ୍ଧି ପାଏ ।

 

୧୬

ବହୁ ଦେଶରୁ ଆଣି ବହୁ ପଦାର୍ଥ,

ସଞ୍ଚି ରଖନ୍ତି ଭୂପ ପ୍ରଜା ଶିକ୍ଷାର୍ଥ;

ଦେଖି ଶିଖନ୍ତି ଶିଳ୍ପ ପ୍ରଜା ସକଳ,

ଦେଶ ଅବସ୍ଥା ତହୁଁ ହୁଏ ସ୍ୱଚ୍ଛଳ ।

 

୧୭

କୁଟୁମ୍ୱେ କର୍ତ୍ତା ଯଥା ଜଣେ ପ୍ରାଚୀନ,

ସକଳେ ହୋଇଥାନ୍ତି ତାର ଅଧୀନ;

ଚାଳକ ପାଳକ ସେ ସମସ୍ତଙ୍କର,

ସମସ୍ତେ ରଖିଥାନ୍ତି ତା ପ୍ରତି ଡର ।

 

୧୮

ସେପରି ଧରାଗାରେ ପ୍ରଧାନ ରଜା,

ତାଙ୍କର ପରିବାର ସକଳ ପ୍ରଜା;

ପାଳନ୍ତି ସମସ୍ତଙ୍କୁ ସମେ ନରେଶ,

ମାନସେ ନ ବିଚାରି କ୍ଷୁଦ୍ର ବିଶେଷ ।

 

୧୯

ଯୋଗ୍ୟ ପ୍ରଜାକୁ ଯୋଗ୍ୟ ବେତନ ଦେଇ,

ରାଜକାର୍ଯ୍ୟରେ ରାଏ ଲଗାନ୍ତି ନେଇ;

କାଳବଶେ ଭୁଞ୍ଜଇ ହେଲେ ସେ କୁତୀ,

ଦୁର୍ବଳ ବସି ରାଜ ପ୍ରଦତ୍ତ ବୃତ୍ତି ।

 

୨୦

ମହୀରେ ମହୀପତି ସିନା ପ୍ରଧାନ,

ମହୀ ତାହାଙ୍କୁ କରେ ରତ୍ନ ପ୍ରଦାନ;

ଭୂଗର୍ଭେ ଅଛି ଯେତେ ରତନ ଖଣି,

ସେ ସର୍ବ ଅଧିକାରୀ ଏକା ନୃମଣି ।

 

୨୧

ବର୍ଣ୍ଣିବି କେତେ ଆଉ ନୃପତି ଗୁଣ,

ପ୍ରଜାହିତୈଷୀ ସର୍ବ-ଗୁଣ-ନିପୁଣ;

ଲୋକ ପାଳନେ ତାଙ୍କୁ ସୃଜିଲେ ବିହି,

ତାଙ୍କ କରେ ବିଶେଷ କ୍ଷମତା ନିହି ।

 

୨୨

ଯେସନ ପୂଜନୀୟ ଇନ୍ଦ୍ର ଅମରେ,

ତେସନ ନରବର ସଂପୂଜ୍ୟ ନରେ;

ନର ଦେବତା ହେତୁ ନୃଦେବ ନାମ,

ପୂରାନ୍ତି ପ୍ରଜାଙ୍କର ସୁମନସ୍କାମ ।

 

୨୩

ଜନ-କଲ୍ୟାଣ-ବ୍ରତ-ପୂର୍ଣ୍ଣ-ସମ୍ପୂଟ-

ଛଳେ ବହନ୍ତି ରାଏ ଶିରେ ମୁକୁଟ;

ଯେ ସଞ୍ଚେ ଧନ ଏକା ତାହାରିପାଇଁ,

ସଞ୍ଚନ୍ତି ଦେଶପାଇଁ ମାତ୍ର ନୃସାଇଁ ।

 

୨୪

ଦୂର୍ଭିକ୍ଷକାଳ ଅନ୍ନ କରି ବଣ୍ଟନ,

କରନ୍ତି ପ୍ରଜାପତି ପ୍ରଜା ରକ୍ଷଣ;

ଗତ ଦୁର୍ଭିକ୍ଷ ଶିଶୁ ସୁମର ଥରେ,

ବଞ୍ଚିଲେ ପ୍ରଜା ରାଜ ଦତ୍ତ ଅନ୍ନରେ ।

 

୨୫

ଏତାଦୃଶ ହିତୈଷୀ ନୃପତି ପ୍ରତି,

ଯେଉଁ ପାମର ନର ନ କରେ ଭକ୍ତି;

ମାନବ ସମାଜରେ ସେ କୁଳାଙ୍ଗାର,

ଅନ୍ତେ ନରକେ ଗତି ନିଶ୍ଚୟ ତାର ।

 

୨୬

ରାଜାଙ୍କ ନିନ୍ଦାବାଦ ଅକରଣୀୟ,

ତା ଠାରୁ ମହାପାପ ନାହିଁ ଦ୍ୱିତୀୟ;

ଆନ ପାପର ଅଛି ଯେ ପ୍ରତିକାର,

ମାତ୍ର ପ୍ରାୟଶ୍ଚିତ୍ତ ନାହିଁ ରାଜନିନ୍ଦାର ।

 

୨୭

ପାଞ୍ଚିଲେ ଅମଙ୍ଗଳ ନୃପତିଙ୍କର,

ତାହାଙ୍କ କ୍ରୋଧାନଳ ହେବ ପ୍ରଖର;

ମିଳଇ ଜଳେ ଅଗ୍ନି କୋପରୁ ତ୍ରାହି,

ରାଜ ରୋଷରୁ କିନ୍ତୁ ନିସ୍ତାର ନାହିଁ ।

 

୨୮

ନୃପତି ଦ୍ରୋହୀ ଦେବ ଧରମ ଦ୍ରୋହୀ,

ଏ ତିନି ଊଣା କେହି କାହାକୁ ନୋହି;

ଶାସ୍ତ୍ରୋକ୍ତି ଏହା, ନୋହେ କଳ୍ପନା କଥା,

କର୍ତ୍ତବ୍ୟ ନୁହେ ରାଜ କୁତ୍ସା ସର୍ବଥା ।

 

୨୯

କେବଳ ରାଜଭକ୍ତି ଫଳରେ ଜନେ,

ବସନ୍ତି ପୁଣ୍ୟବନ୍ତ ପବିତ୍ରାସନେ;

ଏଥିର ସୁଦୃଷ୍ଟାନ୍ତ ହେ ଶିଶୁମାନେ,

ଅଭାବ ନାହିଁ ପୂତ ଆର୍ଯ୍ୟ ପୁରାଣେ ।

 

୩୦

ଆନ କଥାରେ ଏବେ ଏ ଦେଶ ହୀନ,

ରାଜଭକ୍ତିରେ ମାତ୍ର ନୁହେ ମଳିନ;

ଏ ଦେଶ ରାଜଭକ୍ତି ଏ ରବିତଳେ-

ଦୁର୍ଲ୍ଲଭ, ତାହା କବି ବଚନ ବଳେ ।

 

୩୧

ରାଜଭକ୍ତିରେ ଏକା ଅତୁଳନୀୟ,

ଭାରତ ଆନ ଦେଶ ଗୁରୁସ୍ଥାନୀୟ;

ଭାରତ ଗଲେ ଏହି ଗୌରବ ମାଳ,

ଥିଲାକ, ଅଛି, ଥିବ ତାବତକାଳ ।

 

୩୨

ଭାରତ ରୁଗ୍ନ ଦେହ ଭଗ୍ନ ପଞ୍ଛାରେ,

ଜୀବିତ ଅଛି ରାଜ-ଭକ୍ତି ବଳରେ;

ତାହାର ଏ ସୁଯଶ ସ୍ନିଗ୍ଧ ସୌରଭ,

ବ୍ୟାପିଛି ଯୁଗେ ଯୁଗେ ନିଖିଳ ଭବ ।

 

୩୩

କୋମଳମତି ଶିଶୁ ଏକାଗ୍ରେ ଶୁଣ,

ଅପରିଶୋଧ୍ୟ ଅଟେ ରାଜାଙ୍କ ଋଣ;

ସୁମରି ଏହା ତାଙ୍କୁ ସମର୍ପ ଭକ୍ତି,

ଆକର୍ଷ ତାଙ୍କଠାରୁ ସ୍ୱଅନୁରକ୍ତି;

 

୩୪

ଦେଖି ଆମ୍ଭର ଏହା ଇ ରାଜ ରାଜା,

ବାଜେ କ୍ଷିତିରେ ଯାଙ୍କ କୀରତି ବାଜା;

ଆମ୍ଭମାନଙ୍କୁ ସେହୁ କେତେ ସୁଖରେ,

ରଖିଅଛନ୍ତି ସଦା ସ୍ମର ଅନ୍ତରେ ।

 

୩୫

କହିଅଛନ୍ତି କବି ଶାଶ୍ୱତ ଗିରେ,

ପାଳନେ ଶ୍ରୀପତି ସେ ସିନା ମହୀରେ;

ଅଧିକ କି ଗାଇବି ଗୁଣ ଗୀତିକା,

ସ୍ୱର୍ଗ ବିଜୁଳି ଯାଙ୍କ ପରିଚାରିକା ।

 

୩୬

ଆମ୍ଭ ସକାଶେ କରି କେତେ ସୁବିଧା,

ସାର୍ଥକି ଛନ୍ତି ନିଜ ରାଜ ଅଭିଧା;

ପଢ଼ୁଛି ଶିଶୁ ଯେଉଁ ଛପା ଅକ୍ଷର,

ସେ ଅଟେ ଉଦ୍ଭାବନ ଇଁ ରାଜଙ୍କର ।

 

୩୭

ଆଣିବାରୁ ସେ ମୁଦ୍ରାଯନ୍ତ୍ର ଏ ଦେଶେ,

ସୁଲଭେ ମିଳେ ବହୁ ଗ୍ରନ୍ଥ ବିଶେଷେ;

ହେଉଛି ପୁଷ୍ଟ କ୍ରମେ ସାହିତ୍ୟାଗାର,

ପିନ୍ଧୁଛି ମାତୃଭାଷା ନବୀନ ହାର ।

 

୩୮

ରୁଦ୍ର କ୍ଷମତା ତାଙ୍କ ଏ ଭୁମଣ୍ଡଳେ,

ଅସାଧ୍ୟ ସାଧନ୍ତି ସେ ବିଜ୍ଞାନ ବଳେ;

ନୁହନ୍ତି ଅସ୍ତ ତାଙ୍କ ରାଜ୍ୟୁ ମାର୍ତ୍ତଣ୍ଡ,

ଜଳ ଅନଳ ସାଧେ କ୍ରିୟା ପ୍ରଚଣ୍ଡ ।

 

୩୯

ଘେନି କିରଣ ମାଳୀ କିରଣ ତୁଳି,

କି ରଙ୍ଗେ ଚିତ୍ରେ ଚାରୁ ଚିତ୍ର ପିତୁଳି;

ଦର୍ଶନେ ହେ ଆଲେଖ୍ୟ ହୁଏ ପରତେ,

ଚିତ୍ରି ଅଛନ୍ତି ଅବା ବିଧାତା ସତେ

 

୪୦

ଭେଟେ ତାହାଙ୍କୁ ସିନ୍ଧୁ ମୁକ୍ତା ପ୍ରବାଳେ,

ଭେଟନ୍ତି କରୀ ଦେଇ ଶିଖରୀମାଳେ;

ପୁଷ୍ପ ଚନ୍ଦନ ଧୂପ କସ୍ତୂରୀଘେନି,

ଭେଟନ୍ତି ଗନ୍ଧଦ୍ରବ୍ୟେ କାନନ ଶ୍ରେଣୀ ।

 

୪୧

ତାଙ୍କ ସାମ୍ୟ ନୀତିରେ ପିଅନ୍ତି ଜଳ,

ଏକ ଘାଟରେ ଏବେ ବାଘ ଛାଗଳ;

ତାଙ୍କ ଆଜ୍ଞାରେ ବାୟ ବନ୍ଧନ ଳଭେ,

ପ୍ରବଳ ପ୍ରତାପୀ ସେ ଅଟନ୍ତି ଭବେ ।

 

୪୨

ଚଳାଇ ଏ ଦେଶରେ ରେଳ ଇଂରାଜ,

କରିଅଛନ୍ତି କେଡ଼େ ମହତ କାର୍ଯ୍ୟ;

ଦିନକ ବାଟ ସେହୁ ଚାଲେ ଘଡ଼ିକେ,

ଗତିରେ ହାରେ ବାୟ ତାହା ଅନ୍ତିକେ ।

 

୪୩

ବାଣିଜ୍ୟ ଦେଶାଟନ ସୁବିଧା ବେନି,

ଅଳପ ବ୍ୟୟେ ଶିଶୁ ହୁଏ ତା ଘେନି;

ଜ୍ଞାନ ପ୍ରବୃଦ୍ଧି ଲଭେ ଦେଶ ଭ୍ରମଣେ,

ଦେଶ ଦୁର୍ଦ୍ଦଶା ଘୁଞ୍ଚେ ବାଣିଜ୍ୟ ଧନେ ।

 

୪୪

ଗତ ଦୁର୍ଭିକ୍ଷ କାଳେ ରେଳ ସକାଶୁଁ

ବଞ୍ଚିଲେ ସିନା ଲୋକେ ଦୁର୍ଭିକ୍ଷ ଗ୍ରାସୁ;

ବହି ଆଣିଲା ଶସ୍ୟ ବିଦେଶୁ ଯାଇ,

ଦୁର୍ଭିକ୍ଷ ବାଧା ତହୁଁ ବାଧିଲା ନାହିଁ ।

 

୪୫

ଆବର ତାର ଡାକ କରି ସର୍ଜନା,

କେତେ ସୁବିଧା ଦେଲେ ନାହିଁ କଳନା;

ତାରେ ବିଜୁଳି ବହି ଆଣେ ଛଟକେ,

ମାସକ ପଥୁଁ ବାର୍ତ୍ତା ନେତ୍ର ପଲକେ ।

 

୪୬

ସ୍ୱଳ୍ପ ବ୍ୟୟରେ ଆସେ ଡାକରେ ଟଙ୍କା,

ହଜି ଯିବାର ତହିଁ ନଥାଏ ଶଙ୍କା;

ଆସେ ସମ୍ବାଦପତ୍ର ଭାରକୁ ଭାର,

ଦେଶ ମଧ୍ୟରେ କରେ ଜ୍ଞାନ ପ୍ରଚାର ।

 

୪୭

ସଂସ୍ଥାପି ଦେଶେ ବିଶ୍ୱ-ବିଦ୍ୟା ଆଳୟ,

କରାଉଛନ୍ତି ଦେଶେ ଆଲୋକ ମୟ;

ବାହାରେ ସେ ଖଣିରୁ ଉଜ୍ଜ୍ୱଳ ମଣି,

କେ ପାରେ ସଂଖ୍ୟା ତାର ତାର ସହଜେ ଗଣି ।

 

୪୮

ଆବର ସୃଜି ଯନ୍ତ୍ର ଦୂରବୀକ୍ଷଣ,

କରନ୍ତି ତହିଁ ଦୂର-ଦୃଶ୍ୟ ଦର୍ଶନ;

ଅଣୁବୀକ୍ଷଣେ କ୍ଷୁଦ୍ର ଦିଶେ ମହତ,

ଅଦୃଶ୍ୟ ବସ୍ତୁ ଦିଶେ ଆକାରବନ୍ତ ।

 

୪୯

କମ୍ପାସ ନାମେ ଯନ୍ତ୍ର ନାବିକ ସଖା,

ଦିଗଭ୍ରମରୁ ତାଙ୍କୁ କରେ ସୁରକ୍ଷା;

ଅକୂଳ ମହାର୍ଣ୍ଣବେ ନୌ-କର୍ଣ୍ଣଧାର,

ନିର୍ଣ୍ଣୟ କରେ ଦିଗ ସାହାଯ୍ୟ ଭାର ।

 

୫୦

ଦେଶେ ବିଦେଶେ ସ୍ଥାପି କଳ ନିକର,

ସାଧନ୍ତି ସମୁନ୍ନତି ଶ୍ରମ ଶିଶୁର;

ଜଣେ ମନୁଷ୍ୟ ପାଇ କଳ ସାହାଯ୍ୟ;

ସାଧଇ ହେଳେ ଦଶ ଜଣର କାର୍ଯ୍ୟ ।

 

୫୧

ସସାଗରା ଧରାର ପତି ଇଂ ରାଜାଙ୍କର,

ସର୍ବତ୍ର ଅଜେୟ ସେ ରାଜାଧିରାଜ;

କ୍ଷମତା ଯେଉଁ ପରି କ୍ଷମା ସେପରି,

ଉପମା ଦୟାଗଣେ ସେହି ତାଙ୍କରି ।

 

୫୨

ଅବିଦ୍ୟା-ମରୁଭୂମେ ତାଙ୍କ ଶିକ୍ଷାରେ,

ବହୁଛି ଜ୍ଞାନ-ଗଙ୍ଗା ସହସ୍ରଧାରେ;

ସ୍ୱାଧୀନତା ପ୍ରଦାନ ତାଙ୍କ ସୁବ୍ରତ,

କରନ୍ତି ଦାସ୍ୟ ପାଶୁଁ ଜନେ ମୁକତ ।

 

୫୩

ଆଦର୍ଶ ଉଦାରତା ଅଟେ ତାଙ୍କର,

ଆଦର୍ଶ ସେହୁ ନ୍ୟାୟେ ଧର୍ମ୍ମେ ଆବର;

ପତିତ ଜାତି ପ୍ରତି ନ କରି ଘୃଣା,

ତାହାଙ୍କୁ ଉଦ୍ଧାରନ୍ତି ବହି କରୁଣା ।

 

୫୪

ତାଙ୍କ ଆଶ୍ରୟ ଲଭି ପତିତୋତ୍କଳ,

ଅପାର ମୁଦ-ନୀରେ ହୁଏ ଭ୍ରସଳ;

ବାନ୍ଧଣ ମନେ ନାନା ଆଶା-ସୋପାନ,

ନିଜକୁ ମଣୁଅଛି ସୌଭାଗ୍ୟବାନ ।

 

୫୫

ରାଜା ରୂପରେ ଏବେ ପାଇ ତାହାଙ୍କୁ,

ଫୁଲାଇ ଏ ଉତ୍କଳ ନିଜ ବାହାକୁ;

ଚାଲୁଛି ଭାବି ମନେ ଭାବୀ ମଙ୍ଗଳ,

ନିଶ୍ଚେଁ ଏ ତାର ପୂର୍ବ ତପସ୍ୟାଫଳ ।

 

୫୬

ରାଜତ୍ୱ କଲେ କେତେ ରାଜା ଏ ଦେଶେ

ମାତ୍ର ସୁବିଧା ଏତେ ଦେଲା କିଏସେ;

କେ ଥିଲା ପ୍ରଜାହିତେ ଏଡ଼େ ତତ୍ପର,

ଅଛି ବା ଏକାଳେ କେ ଆନ ଦେଶର ।

 

୫୭

ଇଂରାଜ ସ୍ନେହ-ମୌତ୍ରୀ-ରସେ ରସିକ,

ମଣନ୍ତି ପ୍ରଜାଙ୍କୁ ସେ ପ୍ରାଣୁ ଅଧିକ;

ପ୍ରଜାଙ୍କ ଦୁଃଖ ଦୈନ୍ୟ ବିନାଶକାରୀ,

ଶୁଣନ୍ତି କାନଡ଼େରି ତାଙ୍କ ଗୁହାରି ।

 

୫୮

ସକଳ ଧର୍ମେ ତାଙ୍କ ସମାନୁରାଗ,

ଧର୍ମ ପାଳନ ତାଙ୍କ ମହତ ଯାଗ;

ସର୍ବ ଗୁଣରେ ଗୁଣୀ ବ୍ରିଟନବାସୀ,

ଜ୍ଞାନେ ବ୍ରିଟନ ଆଜି ସୁତୀର୍ଥ କାଶୀ ।

 

୫୯

ବ୍ରିଟନ ଶୁଭଯୁଗ ଅମରାକ୍ଷରେ,

ଖୋଦିତ ରହିଲା ଏ ଦେଶବକ୍ଷରେ;

ଉଠୁଛି ଧନ୍ୟବାଦ ତା ନାମେ ଦେଶେ,

ଉଠିବ ଚିରକାଳ ପୁଣି ବିଶେଷ୍ୟେ ।

 

୬୦

ଇଂରାଜ ରାଜଲକ୍ଷ୍ମୀ ଭବେ ଅଚଳା,

ତଥା ବିଜୟ-ଲକ୍ଷ୍ମୀ ମହା ପ୍ରବଳା;

କ୍ରୋଧେ ଇଂରାଜ ଦୀପ୍ତ ଅନୋଳପମ,

ଶୀତଳତାରେ ପୁଣି ସଲିଳ ସମ ।

 

 

୬୧

ସୁସଭ୍ୟ ଜାତି ଯେତେ ମହୀରେ ଛନ୍ତି,

ତହିଁ ମଧ୍ୟରେ ଟେକ ଇଂରାଜୀ ଛତି;

ଅସଭ୍ୟ ଜାତି ପ୍ରତି ନ କରି ଘୃଣା,

ଶିଖାନ୍ତି ସଭ୍ୟତା ସେ ବହି କରୁଣା ।

 

୬୨

ଇଂରାଜ ପ୍ରଚାରନ୍ତି ଏ ନୀତିସାର,

ଅଦୃଷ୍ଟ ଠାରୁ ବଡ଼ ପୁରୁଷକାର;

ଅଦୃଷ୍ଟ ପ୍ରତି ତେଣୁ ନ ଦେଇ ଭାରା,

ରତ ସେ ନବୋଦ୍ୟମେ ଜୀବନ ସାରା ।

 

୬୩

ସେ ଜାତି ଶୁଦ୍ଧମନା ଶୁଦ୍ଧ ସ୍ୱଭାବ,

ପୋଷିଣ ହୃଦେ ଆତ୍ମ-ନିର୍ଭର ଭାବ;

ହୁଅନ୍ତି ଠିଆ ନିଜେ ନିଜ ପାଦରେ,

ଶିଖାନ୍ତି ସୁଦ୍ଧା ତାହା ଆନେ ଆଦରେ ।

 

୬୪

ସାହସେ ଅଦ୍ୱିତୀୟ ଶ୍ୱେତ ପୁରୁଷେ,

ଡରନ୍ତି ନାହିଁ ବିଘ୍ନ ବିପଦକୁ ସେ;

ହେଉ ପଛକେ କାର୍ଯ୍ୟ ଯେଡ଼େ ଅସାଧ୍ୟ,

ସାଧନେ କରନ୍ତି ତା ନିଜକୁ ବାଧ୍ୟ ।

 

୬୫

ଧନ୍ୟ ଇଂରାଜ ଜାତି ଅଧ୍ୟବସାୟ,

ଲଗାନ୍ତି କାର୍ଯ୍ୟ ଧନ, ଜୀବନ, କାୟ;

ଅକୃତ କାର୍ଯ୍ୟ ହେଲେ ନୋହି ହତାଶ,

ସାଧନ୍ତି ବାରମ୍ୱାର କରି ପ୍ରୟାସ ।

 

୬୬

ଯେ ଗୁଣ ଯୋରେ ନର ହୁଏ ଅମର,

ସେ ସର୍ବ ଗୁଣ ଅଛି ଇଂରାଜଙ୍କର;

ତେଣୁ ସେ ପାଉଛନ୍ତି ପୂଜା ସଂସାରେ,

ସୁଲଭ ଗୁଣ ପୂଜା ତାହାଙ୍କ ଠାରେ ।

 

୬୭

ତାହାଙ୍କ ଏ ସଦ୍ଗୁଣ ବାଳକଗୁଣ,

ସତତ କର ତୁମ୍ଭେ ଅନୁକରଣ;

ବହିବ ତେବେ ତୁମେ ମନୁଷ୍ୟ ନାମ,

କୃତାର୍ଥ ହେବ ତହିଁ ଜନମଧାମ ।

 

୬୮

ପୂଜ ତାଙ୍କ ପ୍ରତିଭା ରଜନୀ ଦିବା,

ଜୀବନେ ଲୋଡ଼ ଯଦି ପୂଜା ପ୍ରତିଭା;

ଯେ କରେ ଗୁଣୀଗୁଣେ ଭକ୍ତି ଆଦର,

ଆଶ୍ରନ୍ତି ତାକୁ ଶୁଭ ଗୁଣ ନିକର ।

 

୬୯

ଇଂରାଜ ଜାତି କେଡ଼େ ପ୍ରତିଭାଶାଳୀ,

ଉଦ୍ଭାବି ବୈଜ୍ଞାନିକ କୃଷି ପ୍ରଣାଳୀ;

ଦେଶ ମଧ୍ୟରେ ତାହା କରି ପ୍ରଚାର,

କୃଷିବିଦ୍ୟାରେ କଲେ ଯୋଗ୍ୟ ସଂସ୍କାର ।

 

୭୦

ଶିଖି ସେ ଶୁଭବିଦ୍ୟା ପ୍ରଜାପଙ୍କତି,

କରନ୍ତି କ୍ଷେତ୍ରୁ ବହୁ ଶସ୍ୟ ଉତ୍ପତ୍ତି;

କୃଷି ଉନ୍ନତି ଆନ ଉନ୍ନତି ଦ୍ୱାର,

ସର୍ବ ଉନ୍ନତି କରେ ଅପେକ୍ଷା ତାର ।

 

୭୧

ଏକାନ୍ତ ସତ୍ୱନିଷ୍ଠ ଇଂରାଜ ଜାତି,

ବିରାଜେ ତାଙ୍କ ରାଜ୍ୟେ ବିଶୁଦ୍ଧ ଶାନ୍ତି;

ସତ୍ୱ-ଧରମ ନ୍ୟାୟ-କ୍ଷେପଣୀ ଧରି,

ଚଳାନ୍ତି ସୁକୌଶଳେ ସାମ୍ରାଜ୍ୟ-ତରୀ ।

 

୭୨

ଇଂରାଜ ରାଜନୀତି ଅତି ଉଦାର,

ଆଦର୍ଶ ନୀତି ମଧ୍ୟେ ଅଟେ ସେ ସାର;

ଗ୍ରଥିତ ସୁଶୃଙ୍ଖଳେ ସେ ରାଜନୀତି,

ପ୍ରଜା ସୁବିଧା ସୁଖ ତା ମୂଳ ଭିତ୍ତି ।

 

୭୩

ଜନ ଗଣନା କରି ଦଶ ବରଷେ,

ପ୍ରଜା ଅବସ୍ଥା ହୋନ୍ତି ପରିଜ୍ଞାତ ଯେ;

ଦେଖନ୍ତି ତ୍ରୁଟି ଯେଉଁ ଦିଗରେ ତାର,

କରନ୍ତି ଖରେ ତାହା ସୁପ୍ରତିକାର ।

 

୭୪

ଇଂରାଜ ଅପ୍ରତୁଳ ମେଧାବୀ ପଣେ,

ବିଜ୍ଞାନ ବଳେ ଚଢ଼ି ବାୟୁ ବାହନେ;

କରନ୍ତି ଗ୍ରହ ଗତି ସୁନିରୁପଣ,

ଦୁରୂହ ସୃଷ୍ଟିତତ୍ତ୍ୱେ ନିବେଶି ମନ ।

 

୭୫

ଇଂରାଜ ପୁଣ୍ୟବୀର୍ତ୍ତ ଅମରଗୀତେ,

ଗାଏ ଉତ୍କଳ ସଦା ପ୍ରହୃଷ୍ଟଚିତ୍ତେ,

ଗାବନ୍ତି ଯେ ସ୍ଥାବର ଜଙ୍ଗମ ଦ୍ୱୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୭୬

ଯାମ୍ୟେତର ପରିଖା ସୁବର୍ଣ୍ଣରେଖା,

ସୈକତେ ସ୍ୱର୍ଣ୍ଣରେଣୁ ଯାଏ ତା ଦେଖା;

ଗାଏ ସେ ଉଚ୍ଚେତୋଲି ତରଙ୍ଗଦ୍ୱୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୭୭

ମେଘମେଦୁର ରୁଦ୍ର ଭୁଜ ସୁନ୍ଦର

ଗିରୀନ୍ଦ୍ର ମେଘାସନ ତୋଳି ଶିଖଡ଼;

ଗାଉଛି ଗୁହା-ହର୍ଷେ ଅଥୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୭୮

ତରଙ୍ଗ-କରତାଳି ବଜାଇ ଘନେ,

ଚରାଚର ବିତ୍ରାସୀ ଘୋର ଗର୍ଜନେ;

ଗାଉଛି ପୂର୍ବେ ନୀଳ କରୁଣାଳୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୭୯

ଚିରକଲ୍ଲୋଳମୟୀ ଯାମ୍ୟେ ଚିଲିକା,

ସୁଚାରୁ ଚକ୍ରବାକୀ ଚିତ୍ତ-ଚନ୍ଦ୍ରିକା;

ଗାଏ ରାଜଭକ୍ତିରେ ହୋଇ ତନ୍ମୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୦

ଋଷିକୁଲ୍ୟା-ତଟନୀ ସେ ଋଷିକୁଲ୍ୟା,

ତଟନୀ କୁଳରାଣୀ ମର୍ତ୍ତ୍ୟ ଅତୁଲ୍ୟା;

ଗାଏ ସେ କଳକଳେ ଉଲ୍ଲୋଳି ପୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୧

ପାଣ୍ଡବ-ଅଧ୍ୟାସିତ ମହେନ୍ଦ୍ର ଗିରି,

ମହେନ୍ଦ୍ର ପୁରୀ ତୁଲ୍ୟ ଯା ଦିବ୍ୟ ଶିରୀ;

ଗାଏ ସେ ସୁରଗିରି, ସୁର-ନିଳୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୨

ପଶ୍ଚିମ ଦିଗେ ଯେତେ ଶିଖରୀମାଳ

ଗଗନେ ତୋଳିଛନ୍ତି ଶିର ବିଶାଳ;

ଗାବନ୍ତି ସର୍ବେ କରି ନିଶ୍ଚଳ ଲୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୩

ଉତ୍କଳ ମନ୍ଦାକିନୀ ଚିତ୍ରଉତ୍ପଳା,

ପବିତ୍ର-ତୋୟା ଦେବୀ ଖଣ୍ଡଉପଳା;

ଗାଉଛି କଳକଳ ଛଳେ ନିଶ୍ଚୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୪

ଉତ୍କଳ ହିମାଳୟ ମାଲ୍ୟଭୁଧର,

ନିସର୍ଗ ଦୃଶ୍ୟ ଯାର ରୁଦ୍ର ସୁନ୍ଦର;

ଗାଉଛି ମୁଖରି ସେ ଆଶା-ବଳୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୫

କଳି-କିଳ୍ୱିଷହରା ବଇତରଣୀ,

ଚାରୁ ତରଙ୍ଗ ତାଳେ ଗାଉଛି ଧନୀ;

ଘେନି ସାଳନ୍ଦୀ ଆଦି ସଖୀନିଚୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୬

ପୁରୀ ଭୁବନେଶ୍ୱର ମହା ଦେଉଳ,

ଉତ୍କଳ ଶିଳ୍ପକଳା ଯହିଁରେ ଠୁଳ;

ଅଶୀଷେ ଅସ୍ପଷ୍ଟେ ସେ ଦେଉଳ ଦ୍ୱୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୭

ଗାଉଛି ଖଣ୍ଡାଧାର ଝର୍ଝର ସ୍ୱରେ,

ନୀରନ୍ଧ ସୁବିଶାଳ ଶାଳବନରେ;

କରିଣ ବନଭୂମେ ସଙ୍ଗୀତମୟ,

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୮

ସମ୍ୱଲପୁରେ ଗାଏ ପ୍ରଧାନ ପାଟ,

କଚାଡ଼ି ଶିଳାଶେଯେ ଛାଡ଼ି କୁହାଟ;

(ବିକମ୍ପେ ଯେ କୁହାଟେ ପାନ୍ଥ ହୃଦୟ)

‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’

 

୮୯

ଯାବତ ପ୍ରାକୃତିକ ବସ୍ତୁ ସକଳ,

ଗାଆନ୍ତି ଏହିପରି ନୃପମଙ୍ଗଳ;

ରାଜଭକ୍ତିରେ ସର୍ବେ ନିମଜ୍ଜମାନ-

ହୋଇ ଦେଖାନ୍ତି ରାଜ ପ୍ରୀତି ପ୍ରମାଣ

 

୯୦

ଏ ଦେଶ ଆଦରଣ ଏ ଅବନୀରେ,

ଭେଦିଛି ରାଜଭକ୍ତି ତା ଧମନୀରେ;

ରାଜଭକ୍ତି ଜାହାର ଅମୂଲ୍ୟ ଧନ,

ଜାଣନ୍ତି ଏହା ସର୍ବ ଜଗତଜନ ।

 

୯୧

ନିର୍ଦ୍ଦୋଷ ଭ୍ରମବଶେ ଦଣ୍ଡିଲେ ରଜା,

ଦୁଃଖିତ ନ ହୁଅନ୍ତି ଏ ଦେଶ ପ୍ରଜା;

ଶୁଣ ବାଳକେ ତାର ଉଦାହରଣ,

ଅଳୀକ ନୁହେଁ ତାହା,- ଶାସ୍ତ୍ରବଚନ ।

 

୯୨

ଅନ୍ଧକ ମୁନିପୁତ୍ର ସିନ୍ଧୁ ଅଖ୍ୟାତ,

ପାଇଣ ଦଶରଥ ଶରେ ଆଘାତ;

ତେଜିଲେ ପ୍ରାଣ ମୁନି କିନ୍ତୁ ତଥାପି,

କ୍ଷମିଲେ ଦଶରଥ ନୃପେ ନ ଶାପି ।

 

୯୩

ଅଣିମାଣ୍ଡବ୍ୟ ଦ୍ୱିଜେ ଏକ ନୃସାଇଁ,

ଶୂଳୀରେ ଚୋରଜ୍ଞାନେ ଦେଲେ ଚଢ଼ାଇ;

ସେ ଋଷି ନ ଘେନିଲେ ରାଜାଙ୍କ ଦୋଷ

ଅଜ୍ଞାନକୃତ ଜାଣି ଲଭିଲେ ତୋଷ ।

 

୯୪

ମୀକ ଋଷିଗଲେ ଶ୍ରୀ ପରୀକ୍ଷିତ,

ଅଦୋଷେ କଲେ ମୃତ ସର୍ପ ଜଡ଼ିତ,

ଏତେକ ଅପମାନେ ସେ ଋଷିବର,

ବହିଲେ ନାହିଁ କୋପ ତିଳେ ମାତର ।

 

୯୫

ଯେ ଦେଶ ରାଜଭକ୍ତି ଗୁଣେ ପ୍ରଥମ,

ଲଭିଛ ସେ ଦେଶେ ହେ ତୁମ୍ଭେ ଜନମ;

ତୁମ୍ଭ ପୂର୍ବ ପୁରୁଷ ପାଳିତ ପ୍ରଥା,

ପାଳ ବାଳକେ ମନେ ପ୍ରାଣେ ସର୍ବଥା ।

 

୯୬

ପୂର୍ବପୁରୁଷେ ଯଥା ରାଜଭକତଶ,

ସେପରି ହୁଅ ଶିଶୁ ତୁମ୍ଭେ ସତତ;

ରାଜଭକ୍ତିରେ ମିଳେ ପୁଣ୍ୟ ସୁଯଶ,

ପିଅ ବାଳକେ ସେହି ଅମୃତ ରସ ।

 

୯୭

ସୁଶୀଳ ରାଜଭକ୍ତ ଅଟେ ଯେ ନର,

ସମାଜେ କ୍ରମେ ତାର ବଢ଼େ ଆଦର;

ମଣନ୍ତି ରାଜା ତାଙ୍କୁ ବିଶ୍ୱାସୀ ଅତି,

ଦିଅନ୍ତି ଉଚ୍ଚକାର୍ଯ୍ୟ ଉଚ୍ଚ ପଦ୍ଧତି ।

 

୯୮

ରାଜଭକତି ରାଜସେବା ଫଳରେ,

ମହାତ୍ମା ନର କେତେ ଏ ଉତ୍କଳରେ;

ଲଭିଲେ ରାଜଦ୍ୱାରୁ ଗୌରବ ପଦ,

ଦୁର୍ଲ୍ଲଭ ନରପ୍ରାଣେ ଯେଉଁ ସମ୍ପଦ ।

 

୯୯

ଇଂରାଜ ରାଜା ସର୍ବ ଗୁଣ-ନିପୁଣ,

କି ଦେଇ ଶୁଝିବା ହେ ତାହାଙ୍କ ଋଣ;

ଭକତି କୃତଜ୍ଞତା ଦାନ ବ୍ୟତୀତ,

ସେ ଋଣ ପରିଶୋଧ୍ୟ ନୋହେ କିଞ୍ଚିତ;

 

୧୦୦

ଅତଏବ ବାଳକେ ଶୁଣ ମୋ କଥା,

କର ଇଂରାଜରାଜେ ଭକ୍ତି ସର୍ବଥା;

ଚିର ରାଜତ୍ୱ ତାଙ୍କ କରି କାମନା,

ଶ୍ରୀହରି ପଦେ କର ସଦା ପ୍ରାର୍ଥନା ।

 

ସମାପ୍ତ