Unknown

ମେଘାସନ

ଚିନ୍ତାମଣି ମହାନ୍ତି

 

ସଫଳିଲା ଆଶା ଆବାଲ୍ୟ-ପୋଷିତ,

ହେରି ମେଘାସନେ ମେଘ-ମେଦୁରିତ

ବୁଝିଲି ଦେଖି ତା ସ୍ୱରୂପ ମହାନ,

ପୃଥିବୀ ମଧ୍ୟରେ ମୁହିଁ କେଡ଼େ ସାନ

 

ଅଭ୍ରଂକଷ-ଚୂଡ଼ ଭୀମକାନ୍ତ ଗିରି,

ବିସ୍ତାରିଛି ଚାରି ଦିଗେ ଚାରୁ ଶିରୀ

ସ୍ତରେ ସ୍ତରେ ଚୂଡ଼ା ରହିଛି ସଜ୍ଜିତ

ସ୍ୱର୍ଗ-ସୋପାନ କି ମାରାଗେ ଗଠିତ ?

 

ପୋଷିଛି ଶିଖରୀ ପ୍ରାଣୀ ଅଗଣନ,

ମହାଭାର ସିନା ସହେ ମହାଜନ

ସୂର୍ଯ୍ୟାସ୍ତେ ଧରଇ ରୂପ ଅତୁଳିତ,

କେଳି-କଣ୍ଠେ ବର୍ଣ୍ଣେ ହୋଇ ବିଚ୍ଛୁରିତ

 

ଜନ୍ମଭୂମି ବୋଲି ଗିରିସ୍ଥ ଶିଖଣ୍ଡୀ,

ସ୍ୱୀୟ ଶୋଭାଦାନେ ଶୈଳେ ଛନ୍ତି ମଣ୍ଡି

ମାତୃଭୂମି ଅଙ୍ଗ ସୃକୃତୀ ନନ୍ଦନ,

ସ୍ୱଗୁଣେ ମଣ୍ଡନ କରନ୍ତି ଯେସନ

 

ଗିରିଚୂଡ଼େ ରହି ଅସ୍ତଗାମୀ ରବି,

ପ୍ରକାଶନ୍ତି ଲାଲ ଟହଟହ ଛବି

ବାରୁଣୀ-ରାଣୀ କି ଧରି ସୁନାଥାଳୀ,

ବନ୍ଦାଇ ଦିବସେ ଘେନି ଯାଏ ବାଳୀ

 

ଗିରିଶିରେ ରବି କି ସୁନ୍ଦର ଦିଶେ,

ସୈଂହିକେୟ ଶିରେ ବିଷ୍ଣୁ ଚକ୍ର କି ସେ !

କ୍ରମରେ ଅଦୃଶ୍ୟ ହେଲେକ ତପନ,

ଭବ-ଭଙ୍ଗୁରତା କରି ପ୍ରଦର୍ଶନ

 

ଜନ୍ମର ମରଣ ନୁହଇ ଅନ୍ୟଥା,

ଦେଲେ ଉପଦେଶ ରବି ଏହି କଥା

ସନ୍ଧ୍ୟାରାଗରଞ୍ଜୀ ଜଳଧର ଜୂଟ,

ଗିରିଶିରେ ଯଥା କନକ ମୁକୁଟ

 

କ୍ରମେ ଅନ୍ଧକାର ପ୍ରଭାବ ପ୍ରକାଶେ,

ସୁଖପର୍ଯ୍ୟାୟରେ ଦୁଃଖ ଯଥା ଆସେ

ଛାଇଲା ଅନ୍ଧାରେ କ୍ରମେ ଗିରିଚୟେ,

ତମୋଗୁଣ ଯଥା ତାମସ ହୃଦୟେ

 

ତମେ ଗିରି ମୂର୍ତ୍ତି ଦିଶେ ମନ୍ଦ ମନ୍ଦ,

ଧରଣୀର କି ସେ ଜୀର୍ଣ୍ଣ ସୀମାବନ୍ଧି

ଗିରି ଶ୍ୟାମଚ୍ଛବି ଅନନ୍ତ ଅନ୍ଧାରେ

ମିଶିଗଲା, ଯଥା ଆତ୍ମା ବିଶ୍ୱାତ୍ମାରେ

 

ବହୁକ୍ଷଣେ ନଭେ ଦେଖା ଦେଲେ ଶଶୀ,

ସେ ଦିନର ତିଥି କୃଷ୍ଣା ଏକାଦଶୀ

ଧୀରେ ଧୀରେ ଊର୍ଦ୍ଧ୍ୱେ ଉଠି ନିଶାମଣି,

ସ୍ୱର୍ଣ୍ଣଜ୍ୟୋତ୍ସ୍ନାଜଳେ ଧୋଇଲେ ଧରଣୀ

 

ପଳାଇ ଅନ୍ଧାର ତହୁଁ ତରତରେ,

ସଭୟେ ଲୁଚିଲା ପର୍ବତ କନ୍ଦରେ

ମୋହାଚ୍ଛନ୍ନ ହୃଦେ ସୁଜ୍ଞାନ-ତପନ,

ଉଇଁଲେ ପଳାଏ ଅଜ୍ଞାନ ଏସନ

 

ନଭେ ବକ୍ର ବିଧୁ ଉଜ୍ଜ୍ୱଳେ ଝଟକେ,

ବକ୍ରଡ଼ଉଁରା କି ରଜନୀ ଅଳକେ *

ମନ୍ଦ ମନ୍ଦ ଗିରିଦେହ ଗଲା ଦେଖା,

ନିରାଶରେ କି ସେ ଆଶା-ସୂକ୍ଷ୍ମରେଖା

*ବକ୍ରଡ଼ଉଁରା- ମସ୍ତକାଳଙ୍କାରବିଶେଷ

 

କ୍ଷଣେ ସ୍ପଷ୍ଟ ଦିଶେ ନୀଳ ଅପଘନ,

ବସି ଯାଇଛି କି ତମ ହୋଇ ଘନ

ଚନ୍ଦ୍ରକରେ ଗିରି ଅପୂର୍ବ ସୁଷମା,

ଦେଖି ମନେ ଜାତ ଏସନ ଉପମା

 

ସତ୍ତୃଗୁଣ ଅବା ଉଇଁଲା ବହନେ,

ତମେ ଅନ୍ଧାରିତ ତାମସିକ ମନେ

ଅଥବା ଖେଳେ କି ଧୂଜଟି-ଜଟାରେ,

ମନ୍ଦାକିନୀ-ଶୁଭ୍ର-ଧାରା ଶତଧାରେ

 

କି ଅବା ଏସନ ପ୍ରତେ, ରସା-ଯୋଷା,

ମୁକ୍ତଜାଲି ମଣ୍ଡି ଖୋସିଛି କି ଖୋଷା

ସୁଚାରୁ ଚନ୍ଦ୍ରିକା ବ୍ୟାପେ ଜଳେ ସ୍ଥଳେ,

ସୃଷ୍ଟିରାଣୀ କିବା ହସିଲେ ଉଜ୍ଜ୍ୱଳେ

 

ଦିଶିଲେ ତରଳ ତରୁଲତାମାନ,

ରଜତ ସଲିଳେ କରି ଦିବ୍ୟ ସ୍ନାନ

ସଦ୍ୟ ପ୍ରସ୍ଫୁଟିତ ପୁଷ୍ପାଞ୍ଜଳି ଧରି,

ଉଭା କି ପୂଜିବା ଇଚ୍ଛାରେ ଶର୍ବରୀ

 

ପାଦପେ ଆଜନ୍ମ ପର ଉପକାରେ

ରତ, ଏଣୁ ଧନ୍ୟ ଅଟନ୍ତି ସଂସାରେ

ଅସଂଖ୍ୟ ପ୍ରାଣୀଙ୍କୁ ଖାଦ୍ୟ ବାସସ୍ଥାନ,

ନିତ୍ୟ ନିର୍ବିକାରେ କରନ୍ତି ପ୍ରଦାନ

 

ନିଜ ଦେହ ଦାନେ ପୋଷନ୍ତି ଆନକୁ,

ଦାତାପଣେ ସରି କିଏ ଏମାନଙ୍କୁ ?

ବ୍ୟସ୍ତ ସର୍ବେ ଭବେ ଘେନି ନିଜ କଥା,

ଧନ୍ୟ ସେ ଯେ ବୁଝେ ପରହୃଦ ବ୍ୟଥା

 

ତରୁ, ଲତା, ଗୁଳ୍ମ ଧନ୍ୟ ଏ ମହୀରେ,

ପର ପାଇଁ ପ୍ରାଣ ଧରନ୍ତି ଶରୀରେ

ନିସ୍ତବ୍‌ଧ ରଜନୀ ନୀରବ ସଂସାର,

ସଜନ ବିଜନ ସବୁ ଏକାକାର

 

ଗିରି-ନିର୍ଝରିଣୀ ଝଙ୍କାର-ସଙ୍ଗୀତ,

ନୀରବ ବିପିନ କରେ ମୁଖରିତ

କରଇ ରାଜତ୍ୱ ମହାନୀରବତା

ନିଶୀଥ ଗର୍ଜ୍ଜନ ଛଳେ ଗୁପ୍ତ କଥା -

 

କହେ କି ଆକାଶ, ବସୁନ୍ଧରା କର୍ଣ୍ଣେ,

ଅବୋଧ୍ୟ ଭାଷାରେ ଅତି ସଂଗୋପନେ

ଅବା ବସୁମତୀ ବସି ନୀରୋଳରେ,

ପଢ଼ୁଛନ୍ତି ଦେବ ମନ୍ତ୍ର ତାର ସ୍ୱରେ

 

ତେଜନ୍ତି ପ୍ରଶ୍ୱାସ କିମ୍ୱା ରାତ୍ରି-ରାଣୀ,

ଅଥବା ଅସ୍ପଷ୍ଟ ମହାକାଳ ବାଣୀ

ମହାଶୂନ୍ୟେ ରହି ଅସଂଖ୍ୟ ତାରକା,

ପାର୍ଥିବ ଘଟନା କରନ୍ତି କି ସଂଖ୍ୟା ?

 

ବନେ ବ୍ୟାଘ୍ର କରେ ଭୀଷଣ ଗର୍ଜ୍ଜନ,

ଫାଟି ପଡ଼ୁଛି ତ ପର୍ବତ କାନନ

କାହିଁ ଶାର୍ଦ୍ଦୂଳର ଗତିବିଧି ଲକ୍ଷି,

ଉଡ଼ନ୍ତି ଆକାଶେ ଟେଏଁ ଟେଁୟା ପକ୍ଷୀ,

 

ରବଛଳେ ଅବା କହନ୍ତି ସେମାନ,

‘‘ଗଲା ମହାବଳ ହୁଅ ସାବଧାନ ’’

କାହିଁ ବା ଭଲ୍ଲୁକ ବୁଲି ଦଳ ଦଳ,

ଖାଉଛନ୍ତି ଖୋଜି ବଣ ମୂଳ ଫଳ

 

ବୁଲୁଛନ୍ତି କେତେ ଜନ୍ତୁ କେତେଠାଇଁ,

ଆକୁଳ ସକଳେ ସିନା ପେଟ ପାଇଁ

କେବଳ ଉଦର ଜୀବର ଭଗାରୀ,

ସେ ନ ଥିଲେ ଦୁଃଖ ନ ଥାନ୍ତା କାହାରି

 

ଲୋଭ, ମୋହ, ଦ୍ୱେଷ, ଅହଙ୍କାର, ରୋଷ,

ଆଦି ରିପୁକୁଳ ପୁଣି ଅସନ୍ତୋଷ,

ସବୁ ଜଞ୍ଜାଳର ପେଟ ଏକା ମୂଳ,

ଘଡ଼ିକେ ବୁଡ଼ାଏ ପେଟ ଜାତିକୁଳ

 

ପେଟ ଚାଖଣ୍ଡକ ଜାଳୁଅଛି ଚିତା,

ନୋହିଲେ ସଂସାରେ ଥିଲା କେଉଁ ଚିନ୍ତା ?

କାଳଦୂତ ଫେରୁ-କଣ୍ଠ-ଭେରୀ ସ୍ୱନ,

ସୁଚିଲା ସଙ୍କେତେ ପ୍ରାତଃ ଆଗମନ

 

ଅରଣ୍ୟ କୁକ୍କୁଟେ ଉଚ୍ଚାଟ କୁହାଟ-

ମାରି, ବସାଇଲେ ବନେ ଶବ୍ଦ-ହାଟ

ରଟିଲା ଚକୋରୀ ବିରହ-ବିଧୁରା,

ପୂର୍ବ ଆକାଶରେ ଫାଟିଲା ସିନ୍ଦୂରା

 

କଜ୍ଜଳପତ୍ରୀଏ ହୋଇ ଏକତ୍ରିତ,

ଗାଇଲେ ପବିତ୍ର ପ୍ରଭାତୀ ସଙ୍ଗୀତ

ପାହାନ୍ତିଆ ତାରା ନଭେ ଜକଜକେ,

ମଣି ପ୍ରାୟେ ପ୍ରାଚୀ-ତରୁଣୀ ଅଳକେ

 

ଫିକା ପଡ଼ିଗଲା ଶଶାଙ୍କ ସର୍ବଥା,

ବଳାତ୍କାର ହାସ ଦୀନମୁଖେ ଯଥା

ଜୀବନ-ବାନ୍ଧବେ ଦେଖି ଅସ୍ତମିତ,

କୁମୁଦିନୀ ନେତ୍ର ହେଲା ନିମୀଳିତ

 

ଭଜିଲେ ବିଲୟ ତାରକା ବିମାନେ,

ସ୍ୱାମୀ ସହମୃତା ଯଥା ସତୀମାନେ

ପଙ୍କଜ-ପାଟଳ ଉଷା ଆରକ୍ତିମା,

ବ୍ୟାପିଗଲା କ୍ଷଣେ ପୌରନ୍ଦରୀ ସୀମା

 

କାଳନ୍ଦୀ ସଲିଳେ ଯାଉଛି କି ଭାସି,

ଜବା କୋକନଦ ହାର ରାଶି ରାଶି

କିମ୍ୱା ଉଷା-ରାଣୀ ରକ୍ତ ଓଷ୍ଠାଧର,

ପାନବୋଳେ ଅବା ଦିଶେ ଚାରୁତର

 

ଅବା ପ୍ରାଚୀ, ରାତି ପିନ୍ଧାବାସ ଛାଡ଼ି,

ପାଲଟୁଅଛି କି ରଙ୍ଗ ପାଟଶାଢ଼ୀ

କିବା ସରଜେମା ଉଷା-ସଖୀମେଳେ,

ଏକାନ୍ତରେ ମାତିଛନ୍ତି ଫଗୁଖେଳେ

 

ଧୀରେ ଉଷାରାଗ ଗଲା ଅପସରି,

ଦିଶିଲା ଆକାଶ ନୀଳ ପୂର୍ବ ପରି

ରକ୍ତଛବି-ରବି ଉଇଁଲେ ଚଞ୍ଚଳେ,

ରକ୍ତପଦ୍ମ ଥୁଆ କି ତମାଳ-ଦଳେ

 

ପକ୍ଷିଗଣ ଦେଖି ଉଦିତ ତପନେ,

ମଙ୍ଗଳ କବିତା ଗାଇଲେ ସଘନେ

ତୀର୍ଥଗାମୀ ରାଜା ବାହୁଡ଼ା ବିଜୟ-

ସମୟେ ଗାଆନ୍ତି ଯଥା ବନ୍ଦିଚୟ

 

ଡମ୍ୱକାଉ କଣ୍ଠ-ଡ଼େଙ୍ଗୁରା ବଜାଇ, *

ନୃପ ଆଗମନ ଦିଏ କି ଜଣାଇ

ସ୍ୱର୍ଣ୍ଣବର୍ଣ୍ଣ-ଜିତ ବାଳ-ରବିକର,

ଚଞ୍ଚଳେ ଚୁମ୍ୱିଲା ଅଚଳ ଶିଖର

*ଡ଼ମ୍ୱକାଉ-କୁମ୍ଭାଟୁଆ ପକ୍ଷୀ

 

ନୀହାର କଣିକା ନିଶି-ନିପତିତ,

ବନସ୍ପତି ପତ୍ରେ ଦିଶେ ତାରକିତ

କରମାଳି-କରେ ପ୍ରକାଶଇ ଜ୍ୟୋତିଃ,

ବପ୍ରପଙ୍କେ କିବା ପଡ଼ିଅଛି ମୋତି

 

ଘନଶ୍ୟାମ ପର୍ଣ୍ଣେ ସୁବର୍ଣ୍ଣ କିରଣ,

ଛୁଇଁ ଉପୁଜାଏ ଉତ୍‌ପ୍ରେକ୍ଷା ଏସନ-

ନିକଷ-ଉରସେ ଶତ ସ୍ୱର୍ଣ୍ଣଗାର,

ଅଙ୍କାହୋଇ ଅବା ଦିଶଇ ଉଦାର

 

ରବି କରେ ହେଲା ସୃଷ୍ଟି ଆଲୋକିତ,

କିନ୍ତୁ ଗିରିଗୁହା ଘୋର ତିମିରିତ

ଥାଏ ଯହିଁ ମନ୍ଦ ଦୃଢ଼ାସନେ ବସି,

ଭଲ ଭାବ ତହିଁ ପାରେ ନାହିଁ ପଶି

 

ତମ ସଦା ତହିଁ କରିଅଛି ଠଣା,

ଦିନ ରାତି କିଛି ଯାଏ ନାହିଁ ଜଣା

ନାନାଜାତି ତରୁଲତିକା ସକଳ,

ଶୋଭାପାଏ ଯଥା ଗିରୀନ୍ଦ୍ର-କୁନ୍ତଳ

 

ପର୍ବତ-କଟକେ କେତେ ମହାଦାରୁ,

କେହି ପତ୍ରେ, କେହି ପୁଷ୍ପେ ଦିଶେ ଚାରୁ

ଫଳଭାରେ ନମ୍ର କେଉଁ ବୃକ୍ଷଗଣ,

ବିନୟେ ବିନିମ୍ର ଯଥା ଗୁଣିଜନ

 

ବୃକ୍ଷ-ଗଳଗ୍ରହ ଅଟଇ ମଲାଙ୍ଗ,

ସୁନ୍ଦର ବୃକ୍ଷକୁ କରେ ବିକଳାଙ୍ଗ

ହୁଅନ୍ତି ଏମାନେ ଯାହାଠାରୁ ଜାତ,

ତାକୁ ଅକାଳରେ କରନ୍ତି ନିପାତ

 

ଶରୀରରୁ ଜାତ ହୋଇ ଯଥା ରୋଗ,

ସେହି ଶରୀରକୁ କରେ ପୁଣି ଭୋଗ

ଅବା ଖଳ ଯଥା ଆଶ୍ରି ସାଧୁପଦେ,

ତାହାକୁ ହିଁ ପୁଣି ପକାଏ ବିପଦେ

 

ଧିକ ମଲାଙ୍ଗର ଅକୃତଜ୍ଞ କର୍ମ,

ଅତ୍ୟୁତ୍କଟ ପାପ ସହେ ନାହିଁ ଧର୍ମ

ବୃକ୍ଷେ ମାରି ସେହୁ ମରେ ବୃକ୍ଷ ସାଥେ,

ପାପ ପ୍ରତିଫଳ ଲଭେ ହାତେ ହାତେ

 

ପର୍ବତ-ନିତମ୍ୱ ରାଜଇ ମଞ୍ଜୁଳେ,

ପରିପୂର୍ଣ୍ଣ ହୋଇ ଜୁଣ-ତୃଣ ୧ ଫୁଲେ

ହିଲ୍ଲୋଳି ସେ ଫୁଲେ ଧୀର ସମୀରଣ,

କରେ କି ଶଇଳେ ଚାମର ବ୍ୟଜନ

୧-ତୃଣବିଶେଷ

 

ଉଷା, ୨ ଉପଲକ୍ଷେ କିମ୍ୱା ଦେବୀ ସୃଷ୍ଟି,

ଲେଖିଛନ୍ତି ଶୈଳେ ଧାନଶୀଷା ଝୁଟି ୩

ଧନ୍ୟ ମେଘାସନ ଧନ୍ୟ ତୋ ସୁଷମା,

ତୁହି ସିନା ତୋର ବିଶିଷ୍ଟ ଉପମା

୨- ଉପାସନା

୩-ଚିତା, ଚିତ୍ର

 

ଅମର-ବାଞ୍ଛିତ ତୋର ଅଧିତ୍ୟକା,

ସରି ନୁହେଁ ତାକୁ ସ୍ୱର୍ଗର ଅଳକା

ଚାରୁ, ନିକାଞ୍ଚନ ପୁଣି ପବିତ୍ରିତ,

ଏଣୁ ଯୋଗିଋଷି ସୁକବି-ବାଞ୍ଛିତ

 

କବିତାର ରାଶି ରାଶି ଉପାଦାନ,

ରଖିଛୁ ସଂଗ୍ରହି ଦେହେଁ ସାନୁମାନ !

ଝର-ଉପବୀତେ ଶୋଭେ ତୋର ସ୍କନ୍ଧ,

ଧରିତ୍ରୀ ସଙ୍ଗେ ତୋ ମାଂସାସ୍ଥି ସମ୍ୱନ୍ଧ

 

ଦେବଧାମ ତୁହି ମହାପୁରାତନ,

କେ କରିବ ତୋର ବୟଃ ନିରୁପଣ

ଅନନ୍ତ କାଳରୁ ଟେକିଅଛୁ ମଥା,

ଜାଣୁ ତୁ ବହୁତ ପୁରାତନ କଥା

 

ଦେଖିଲୁଣି କେତେ ଉତ୍‌ଥାନ ପତନ,

ହର୍ଷବିଷାଦର ଘୋର ସଂଘର୍ଷଣ

ଦୁର୍ବଳ ଦୁର୍ଗତି, ପ୍ରବଳ କଟାକ୍ଷ,

ଦେଖିଛୁ ଅସଂଖ୍ୟ ତୁ ଅତୀତ ସାକ୍ଷ୍ୟ

 

ହେଲେଣି ଦରିଦ୍ର କେତେ ଦଣ୍ଡଧାରୀ,

କେତେ ରାଜା ହେଲେ ଦାଣ୍ଡର ଭିଖାରୀ

କେତେ ଦମ୍ଭୀ କେତେ ଦିଗ୍‌ବିଜୟୀ ବୀର,

ଅକାଳେ ଶ୍ମଶାନେ ଲୋଟାଇଲେ ଶିର

 

ହର୍ମ୍ୟେ ପରିଣତ ଶବଦାହ ସ୍ଥାନ,

କେତେ ରମ୍ୟ ହର୍ମ୍ୟ ହେଉଛି ଶ୍ମଶାନ

ପର୍ବତ ସାଗର, ସିନ୍ଧୁ ମହୀଧର-

ହେଲେ, କେତେ ପଡ଼ି ଆବର୍ତ୍ତେ କାଳର

 

ମେଘାସନ ! ଯେଣୁ ତୁ ଅତୀତ ସାକ୍ଷୀ,

ଏ ସର୍ବ ଘଟନା ଦେଖିଛି ତୋ ଆଖି

ହେଉ ପଛେ ତୋର ଅଣୁ ସୂକ୍ଷ୍ମକାୟ,

ଇତିହାସର ସେ ବିରାଟ ଅଧ୍ୟାୟ

 

ଗିରିମାଳେ ଉଡ଼େ ଉଚ୍ଚେ ତୋର ଧ୍ୱଜା,

ପରଜାପାଳନେ ତୁହି ବଡ଼ ରଜା

ତୋର ଚୂଡ଼ାଶ୍ରୟୀ ବାରିଦପଟଳ,

ଅକାତରେ ଢାଳି ଶସ୍ୟ-କ୍ଷେତ୍ରେ ଜଳ,

 

ସାଧନ୍ତି ସୃଷ୍ଟିର ଉପକାର ଅତି,

ତେଣୁ ଶସ୍ୟପୂର୍ଣ୍ଣା ହୁଏ ବସୁମତୀ

ପର ଉପକାରେ ତୁ ଯଥା ତତ୍ପର,

ତଥା ତୋ ଅଧୀନ ବାରିଦନିକର,

 

ପର ଉପକାରେ ନ କରନ୍ତି ହେଳା,

ଗୁରୁ ଗୁଣ ସିନା ଅନୁକରେ ଚେଲା

ଉପକଣ୍ଠେ ତୋର କେତେ କ୍ଷୁଦ୍ର ହୁଡ଼ି, ୪

ଯାଇଛନ୍ତି ତୋର ଉହାଡ଼ରେ ବୁଡ଼ି

୪- କ୍ଷୁଦ୍ର ପର୍ବତ

 

ଖଣ୍ଡ ଖଣ୍ଡ ହୋଇ ଇନ୍ଦ୍ରବଜ୍ରାଘାତେ,

ତୋ ପକ୍ଷ ବା ପଡ଼ ରହିଛି ସାକ୍ଷାତେ ୫

ସଭା କରି କିବା ସକଳ ଶିଖରୀ,

ସଭାପତି ପଦେ ତୋତେ ଛନ୍ତି ବରି

୫- ପୂର୍ବେ ପର୍ବତମାନଙ୍କର ପକ୍ଷ ଥିବା ଏବଂ ଇନ୍ଦ୍ର ବଜ୍ରାଘାତରେ ସେହି ପକ୍ଷ ଛେଦନ କରିବା ବୃତ୍ତାନ୍ତ ପୁରାଣରେ ଅନୁସନ୍ଧେୟ

 

ଯେଣୁ ତୁ ମହତ, ତଥା ତୋ ହୃଦୟ,

ସକଳେ ଲୋଡ଼ନ୍ତି ମହତ ଆଶ୍ରୟ

ତୋ ନାମେ ଚିହ୍ନିତ ସେହି ଗିରିମାଳ,

ବହନ୍ତି ସେ ଆଖ୍ୟା ‘‘ମେଘାସନ ମାଳ’’

 

ବଂଶେ ଯୋଗ୍ୟ ଜନ ଥିଲେ ଯଥା ଜଣେ,

ତା ନାମେ ଚିହ୍ନିତ ବଂଶଧରଗଣେ

ମହିମାର ତୋର କି ଅଛି ଅବଧି,

ଦୟା ବହି ଦେଇ କେତେ ମହୌଷଧି,

 

ହରୁଛି ରୋଗର ଦୁଃସହ ବେଦନା,

କେ ବୁଝେ ତୋପରି ରୋଗୀର ଯାତନା ?

ନିତମ୍ୱେ ତୋହର ଅଛି ଗୋଟା ଗୋଟା,

ସୁବାସ ପୁଷ୍ପର ଠାବେ ଠାବେ ତୋଟା

 

କାହିଁ ନାଗେଶ୍ୱର, କାହିଁ ଚମ୍ପା ଫୁଲ,

ଛୁରୀଅନା କାହିଁ, କାହିଁ ବା ବକୁଳ

ନନ୍ଦନ କାନନ ନୁହେଁ ତାକୁ ସରି,

ଆସଇ ସୁଗନ୍ଧ ପବନେ ପ୍ରସରି

 

ମଧୁ ବ୍ରତ ମଧୁ ପିଇବା ଲୋଭରେ,

ପୁଷ୍ପୁ ପୁଷ୍ପାନ୍ତରେ ଗମନ୍ତି ପ୍ରଖରେ

ବିଟ ପୁଂସ ପରି ଏମାନଙ୍କ କ୍ରିୟା,

ଏମାନେ ଅଟନ୍ତି କ୍ଷଣପୀର ତିୟା

 

ମଧୁ ସରିଗଲେ ସରିଯାଏ ପ୍ରୀତି,

ଧିକ ଏମାନଙ୍କ ସ୍ୱାର୍ଥପର ନୀତି !

ନାନା ସୁଗାୟକ ପକ୍ଷି-କବି ଗୀତ,

କରେ ନିରନ୍ତର ଉତ୍‌ଫୁଲ୍ଲ ତୋ ଚିତ୍ତ

 

ପୁଷ୍ପଗନ୍ଧେ ତୋଟା ଉଠୁଛି ମହକି,

ବସନ୍ତର ସେହୁ ନିତ୍ୟ ନିବାସ କି ?

ଅମର-ବାଞ୍ଛିତ ସ୍ଥାନ ସେହୁ ଭବେ,

ତେଣୁ ପୂର୍ଣ୍ଣ ସଦା ସ୍ୱର୍ଗୀୟ ବିଭବେ

 

ପ୍ରବେଶିଲେ ସେହି ନିକାଞ୍ଚନ ବନେ,

ସ୍ୱର୍ଗୀୟ ସ୍ୱଭାବ ପୂରିଉଠେ ମନେ

ମର୍ତ୍ତ୍ୟର କଳୁଷ-କଳଙ୍କିତ ଭାବ,

କ୍ଷଣକାଳ ପାଇଁ ଲଭେ ତିରୋଭାବ

 

ସ୍ରଷ୍ଟା-ସୃଷ୍ଟି-ତତ୍ତ୍ୱେ ଚେତା ଯାଏ ବୁଡ଼ି

ମହାତତ୍ତ୍ୱ ଧ୍ୟାନେ ସତ୍ତା ଯାଏ ହୁଡ଼ି

ମହାଭାବେ ମନ ବୁଡ଼ିଣ ସର୍ବଥା,

ଭାବିଯାଏ କେତେ ସ୍ୱର୍ଗମର୍ତ୍ତ୍ୟ କଥା

 

ଭାବି ଭାବି ଶେଷେ ହୋଇ ଅବସନ୍ନ,

କିଛି ନ ପାଇଣ ବାହୁଡ଼େ ବହନ

ଯେଉଁ ଅନନ୍ତଙ୍କ ଅନନ୍ତ ମହିମା,

ବଳିଯାଏ ହର ବ୍ରହ୍ମା ଶକ୍ତି ସୀମା,

 

କ୍ଷୁଦ୍ର ନର ଶକ୍ତି ସେ ମହିମା ତତ୍ତ୍ୱ,

କେଉଁ ପରି ଅବା ହେବ ଅବଗତ !

ମହାସମୁଦ୍ରର ଜଳ କ୍ଷୁଦ୍ର ଝରି,

ଅତି କ୍ଷୁଦ୍ର ଗର୍ଭେ ଧରିବ କିପରି ?

 

ମଧ୍ୟାହ୍ନେ ମାର୍ତ୍ତଣ୍ଡ ପ୍ରଚଣ୍ଡ କିରଣ,

ମୁଣ୍ଡପରେ ଉଠି କଲେକ ବର୍ଷଣ

ଘୋଟିଲା ଚୌଦିଗେ ନାନା ବିଭୀଷିକା,

ଦିଗେ ଦିଗେ ଦେଖା ଦେଲା ମରୀଚିକା

 

ଭୁଲାଉଛି ସେହୁ ମୃଗେ ଯୁଗେ ଯୁଗେ,

ଭୁଲାଏ ଯେସନ ମାୟା ମନୋମୃଗେ

ପର୍ବତସଞ୍ଚାରୀ ଜନ୍ତୁ ଦଳ ଦଳ,

ଜଳାଶୟେ ଯାନ୍ତି ପିଇବାକୁ ଜଳ

 

ସକରଭ କରି-ଯୂଥେ ଯୂଥନାଥ,

ପୁରତରେ ଘେନି ଟେକି ଦୀର୍ଘ ଦାନ୍ତ

ପର୍ବତ ଶିଖରୁ ଆସନ୍ତି ଓହ୍ଲାଇ,

କାନ ବିଞ୍ଚି ଥୋଡ଼ ହଲାଇ ହଲାଇ

 

ସମେଳେ ସକଳେ ଜଳ ପିଇ ସାରି,

ପକାଇଲେ କ୍ଷଣେ ଅରଣ୍ୟ ବିଦାରି

ଓଲଟ କଦଳୀ-ବୃକ୍ଷେ ତାଙ୍କ କରେ,

ଦିଅନ୍ତି ଉପମା କୋବିଦନିକରେ,

 

ଏଣୁ ଅବା ଆନ ଗଛେ ଛାଡ଼ି ଆଗେ-

କରନ୍ତି ନିପାତ ତାହାକୁ ବିରାଗେ

ଚାରା ଖାଇ ଖାଇ ଯାଆନ୍ତି ନିଃଶଙ୍କେ, *

ଚାଲନ୍ତି ଚୌପାଶୁଁ ବେଢ଼ିଣ ଶାବଳେ

*ହସ୍ତୀର ଖାଦ୍ୟକୁ ଚାରା କହନ୍ତି

 

ଖାଦ୍ୟାଶରେ ଯହିଁ ହୋଇଛନ୍ତି ଛିଡ଼ା,

ଲାଗିଯାଏ ତହିଁ କରଭଙ୍କ କ୍ରୀଡ଼ା

କେ ପଳାଏ, କେହି ଗୋଡ଼ାଏ ପଛରେ,

କେହି ଅବା ପଥୁ ଲେଉଟଇ ଖରେ

 

କେହି ଭିଡ଼ାଭିଡ଼ି ଦୃଢ଼େ ଶୁଣ୍ଢେ ଶୁଣ୍ଢେ,

କରନ୍ତି ତାଡ଼ନ କେତେ ମୁଣ୍ଡେ ମୁଣ୍ଡେ

ହେରି ତାଙ୍କ ଲୀଳା ଆଭାସେ ଏସନ

ବାଳ-ମାଲେ କିବା ଶିଖୁଛନ୍ତି ରଣ ?

 

ଖେଳରୁ ନିବର୍ତ୍ତି କେହି ବା ବହନ,

ଧାଇଁ ଯାଇ ପାନ କରେ ମାତୃସ୍ତନ୍ୟ

ଜଳ ପିଇ ଆସି କାହିଁ ମୃଗଦଳେ,

ପାକୁଳି କରନ୍ତି ଶୋଇ ଗଛତଳେ

 

ଦୈବେ ଯଦି ବ୍ୟାଘ୍ର ଆସିଣ ସେଠାକୁ,

ଝାମ୍ପି ପଡ଼ି ମାରି ପକାଏ ଗୋଟାକୁ,

ଭୟେ ଆନ ମୃଗେ ଯାଆନ୍ତି ପଳାଇ,

ଦୁରୁ ଚାହୁଁ ଥାନ୍ତି ଉହାଡ଼ରେ ଥାଇ

 

ପ୍ରବଳର ଭବେ ଘୋର ଅତ୍ୟାଚାର,

କି କରି ପାରଇ ଦୁର୍ବଳ ତାହାର

କଳାପ-ମଣ୍ଡିତ-କଳାପି-କଳାପ,

ଶବ୍ଦେ ପରସ୍ପରେ କରନ୍ତି ଆଳାପ

 

ଉଡ଼ିଯାଉଛନ୍ତି ବନାନ୍ତରେ ବନୁ,

ଅକାଳେ ଆକାଶେ ସୃଜି ଇନ୍ଦ୍ରଧନୁ

ବୃକ୍ଷାଗ୍ରେ କୁରରୀ ବସି ଦୁଃକ ଚିତ୍ତେ,

ମହାଶୋକେ ଗାଏ ପ୍ରାଣସ୍ପର୍ଶୀ ଗୀତେ

 

ପତ୍ର ଅନ୍ତରାଳେ ଲୁଚାଇଛି ମୁଖ,

ଖଣ୍ଡିବାକୁ କେହି ନାହିଁ କି ତା ଦୁଃଖ ?

ଏକାନ୍ତରେ ବସି କରଇ ରୋଦନ,

ଦୁଃଖୀ ପକ୍ଷେ ପ୍ରିୟ ସିନା ନିକାଞ୍ଚନ

 

ତୋହୋ ପରି ଦୁଃଖୀ ମୁହିଁ ଲୋ କୁରରି !

ଝୁରୁଅଛି ଦୁଃଖେ ଦିବସ ଶର୍ବରୀ

ନିଦାରୁଣ ଦୁଃଖେ ହୋଇଣ ଯନ୍ତ୍ରିତ,

ହେଲାଣି ମୋ ଦେହ ପାଷାଣେ ପିହିତ

 

ରୋଗରେ ଶରୀର ପଡ଼ୁଅଛି ତୁଟି,

ତା ଉପରେ ଭବ ଦେଖାଏ ଭ୍ରୁକୁଟି

ମହୀରେ ମୋ ଜନ୍ମ କଷ୍ଟ ଭୋଗ ପାଇଁ

ଜନ୍ମଭୂମି ଋଣ କିଛି ଶୁଝି ନାହିଁ

 

ଦୁଃଖେ ଝୁରି ଝୁରି ସାରିଲି ଆୟୁଷ,

ମାତୃଭୂମିର ମୁଁ ଅଲୋଡ଼ା ପାଉଁଶ

ସ୍ୱଦେଶକୁ ଖାଲି ଦେଇଅଛି ଭାର,

ସାଧି ନାହିଁ କେବେ ବିଶ୍ୱ ଉପକାର

 

ଏହି ଦୁଃଖାନଳ ଦହୁଛି ସଘନେ

ମନର ବାସନା ରହିଗଲା ମନେ

ଯେତେ ଦିନ ଯାଏ ଥିବି ଏ ସଂସାରେ,

ଯାପିବି ସମୟ ଶୁଷ୍କ ହାହାକାରେ

 

କର୍ମଫଳ ନିଶ୍ଚେ ଭୁଞ୍ଜିବି ସର୍ବଥା,

ବିଧିର ବିଧାନ ନୋହିବ ଅନ୍ୟଥା

ମେଘର ଆବାସ ତୁହି ମେଘାସନ,

ତୋ ଉତ୍ତୁଙ୍ଗ ଶୃଙ୍ଗ ହିମର ଆସନ

 

ରୂପଗୁଣ ବେନି ଏକଇ ଆଧାରେ

ପ୍ରାୟଶଃ ଦୁର୍ଲ୍ଲଭ ଅଟଇ ସଂସାରେ;

ଭୁଲିଣ ସେମାନେ ଚିର ବିସମ୍ୱାଦ,

ଆଶ୍ରିଛନ୍ତି କିନ୍ତୁ ଉଭୟେ ତୋ ପାଦ

 

ପ୍ରଣିଧି ତୋହର ବାରିବାହଦଳ,

ବାୟୁ-ବାହନରେ ଭ୍ରମି ନଭସ୍ତଳ,

ଦିଅନ୍ତି କି ତୋତେ ଗଭୀର ନିନାଦ-

ଛଳେ, ଜଗତର ଯାବତ ସମ୍ୱାଦ

 

ତୋର ନିୟୋଜନେ ତୋର କନ୍ୟାଗଣ,

କରୁଛନ୍ତି ସଦା ଧରଣୀ ପାଳନ

ସାଳନ୍ଦୀ ତଟିନୀ ତୋର ଜ୍ୟେଷ୍ଠା କନ୍ୟା,

ଶୁଭଗୁଣ-ଧନେ ଧରଣୀରେ ଧନ୍ୟା

 

କୁଟିଳେ ଚଳେ ତା ସ୍ୱଚ୍ଛ ଜଳଧାର,

ଧରାକଣ୍ଠେ କି ସେ ଚାରୁ-ହୀରା-ହାର

ପାନ କଲେ ତହୁଁ ଆଞ୍ଜୁଳାଏ ବାରି,

ଆଜନ୍ମ ଅଜୀର୍ଣ୍ଣ ହୁଏ ପଥଧାରୀ

 

ଗଳଜୋଡ଼ ନଦୀ ୧ ପୁଣି କଣ୍ଟିଆଳୀ, ୨

ବେନିଏ ଅଟନ୍ତି ଯାର ପ୍ରିୟ ଆଳୀ,

ମହା ପୃଷ୍ଟିକର ଯାର ସୁଧା ନୀର,

ସଞ୍ଚାରେ ମାନବ ଶରୀରେ ରୁଧିର,

୧।୨- ସାଳନ୍ଦୀର ଉପନଦୀଦ୍ୱୟ

 

ପରଶି ଯାହାର ସଲିଳ-କଣିକା,

ପ୍ରସବେ ସୁବର୍ଣ୍ଣ ନୀରସ-ମୃତ୍ତିକା,

ମହାପାପହାରୀ କେତେ ମହାତୀର୍ଥ,

ଯାର ଗର୍ଭେ ତୀରେ ଅଛି ବିରାଜିତ,

 

ସେହି ପୁଣ୍ୟଶ୍ଳୋକା ସାଳନ୍ଦୀ ତଟିନୀ,

ନଦୀକୂଳେଶ୍ୱରୀ କଳନିନାଦିନୀ,

ଅଟଇ ଗଙ୍ଗାଙ୍କ ଉପ ଅବତାର,

ଦୁରୁ ଦେଖାଯାଏ ଯଥା ସୂକ୍ଷ୍ମଗାର

 

ମହାଶାଳବନୁ ଜାତ ସେହି ନଦୀ,

ବୋଲାଉଛି ତେଣୁ ନାମରେ ସାଳନ୍ଦୀ

ସୂତିକା-ଗୃହ ତା ଘୋର ତିମିରିତ,

ହୁଅନ୍ତି ପକ୍ଷୀଏ ପଶିବାକୁ ଭୀତ

 

ପିତୃଗୃହେ ଥିଲା ଅତି ସଙ୍କୁଚିତେ,

ଏବେ ତା ମହିମା ବର୍ଣ୍ଣି ନୁହେଁ ଗୀତେ

ଦାନର ପସରା ମେଲିଛି ସନ୍ତତ,

ନିଃସ୍ୱାର୍ଥର ସିନା ଦାନ ଚିରବ୍ରତ,

 

କରୁଅଛି ଗତି କାଳ ଗତି ପ୍ରାୟେ,

ପଛଆଡ଼େ ଥରେ ଫେରି ନ ଅନାଏଁ

ଜଣାଇଦିଏ କି ଦୃଷ୍ଟାନ୍ତ ଦେଖାଇ,

‘‘ଯେ ଯାଏ, ସେ ଯାଏ ଆଉ ଫେରେ ନାହିଁ ’’

 

ସାନଜେମା ତୋର ଅଟଇ ଖଇରା,

ଖରସ୍ରୋତସ୍ୱିନୀ ଅତଳ ଗଭୀରା

ଅସାରକୁ ସାରକରଣେ ସୁପଟୁ,

ଧୋଇ ଘେନି ଯାଇ ତୋ ଦେହରୁ ପଟୁ,

 

ତୀରବର୍ତ୍ତୀ ସ୍ଥାନେ ଦେଉଅଛି ତାଳି,

ଭଞ୍ଜଭୂମି * କ୍ଷେତ୍ର ତହୁଁ ଶସ୍ୟଶାଳୀ

କଳିହୁଡ଼ୀ ନାରୀ ପରି ପ୍ରାବୃଟରେ,

କଳ କଳ ନାଦେ ଚଳଇ ପ୍ରଖରେ

 

ହୋଇଣ ପ୍ରମତ୍ତା ସଲିଳ-ସମ୍ପଦେ,

କରେ ବିପ୍ଳାବିତ ନାନା ଜନପଦେ

କେତେ ପ୍ରାଣୀଙ୍କର ନାଶେ ଧନପ୍ରାଣ,

ଭଉଁରୀ ଖେଳରେ ପ୍ରକାଶେ ଗୁମାନ

 

ଏହିପରି କେତେ ନରକୁଳାଙ୍ଗାର,

ସମ୍ପଦେ କରନ୍ତି ନାନା ଅତ୍ୟାଚାର

ପରସ୍ୱ ହରଣ ପର ପ୍ରାଣନାଶ-

ଆଦି ମହାପାପେ ନ କରନ୍ତି ତ୍ରାସ

 

ଆଉ ଆନ କଥା ମହାପ୍ରାଣୀ ପ୍ରାଣ,

କରନ୍ତି ସେମାନେ ଅତି ତୁଚ୍ଛ ଜ୍ଞାନ

କ୍ଷଣିକ ସମ୍ପଦ-ନିଶା ଭୋଳେ ଧର୍ମେ,

ହୁଡ଼ିଯାଇ ବୁଡ଼ିଥାଆନ୍ତି ଅକର୍ମେ

 

ପାଷାଣେ ପିହିତ ଆପଣା ଜୀବନେ-

ମଣନ୍ତି ନିରତ ଜାଗ୍ରତ ସ୍ୱପନେ

ଦୁର୍ନିବାର ପାପ ଲାଳସା ସତତ,

ଥାଏ ସଦା ତାଙ୍କ ହୃଦୟେ ଜାଗ୍ରତ

 

କାଳ ତାହାଙ୍କର ଏ ଭାବ ନିରେଖି,

ହସୁଥାଏ ପ୍ରାଣ-ପଞ୍ଜିକାକୁ ଦେଖି

ପତ୍ରେ ପତ୍ରେ ତହୁଁ ଚିରି ପ୍ରତିଦିନ,

କରୁଥାଏ ପାଞ୍ଜି କ୍ରମେ ପତ୍ରହୀନ

 

ସରିଲେ ସକଳ ପତ୍ର ପଞ୍ଜିକାରୁ,

ହକରା ଆସିବ ମହାଦରବାରୁ

ନାହିଁ ସେ ସ୍ଥାନରେ ଅନ୍ୟାୟ ଅନୀତି,

ଅଥବା ପାର୍ଥିବ ଅଣ୍ଟାଖୋଷା ରୀତି

 

ସେହିଠାରେ ହେବ ଦୁଷ୍କର୍ମ ବିଚାର,

ସରିଯିବ ସବୁ ଦ୍ୱେଷ ଅତ୍ୟାଚାର

ନାହାନ୍ତି ସେଠାରେ ମୋକ୍ତାର ଓକିଲ,

ସେହି ବିଚାରର ନ ହେବ ଅପିଲ

 

କ୍ଷଣିକ ସମ୍ପଦ ପାଇ ଲୋ ତଟିନି !

କିପାଇଁ ହେଉ ତୁ ଏଡ଼େ ଉନ୍ମାଦିନୀ

ପଥାପଥ ଭେଦ କିଛି ତୋର ନାହିଁ,

ପରିଣାମ ଦଶା ନ ଭାବୁ କିପାଇଁ ?

 

ଦୁଇ ଦିନ ପାଇଁ ତୋର ଏ ସମ୍ପଦ,

ଆସୁଛି ନିଦାଘ ଘଟିବ ବିପଦ

ଛାୟାକୁ ମଣୁଛୁ କିପାଇଁ ସ୍ୱରୂପ

ଶୁଷ୍କ ଖାଲେ ମଣୁ ବାରିପୂର୍ଣ୍ଣ କୂପ

 

ଅନିତ୍ୟ ସଂସାରେ ସକଳ ଅସ୍ଥିର

ସୁଖସମ୍ପଦାଦି କିଛି ନୁହେଁ ଚିର

ସୁଖ ମଣୁ ଯାକୁ ଫୁଲାଇଣ କାୟା,

ସେ ସିନା ଦୁଃଖର ବିଭୀଷଣ ଛାୟା

 

ସୁଖ ବୋଲି ଯାକୁ ଦେଖୁ ଚିରକାଳ,

ଦୁଃଖପିଣ୍ଡର ସେ ସିନା ସୁଖ-ଝାଳ

ଝାଳ ଛାଡ଼ିଗଲେ ସରିଯିବ ସୁଖ,

ରହିଯିବ ଯେଉଁ ଦୁଃଖକୁ ସେ ଦୁଃଖ

 

ନାହିଁ ଲୋ ତଟନି ! ପଡ଼ି ବୃଥା ଭ୍ରମେ,

ନିନ୍ଦୁଥିଲି ସିନା ତୋର ସାଧୁକର୍ମେ

ପ୍ଳାବନେ ତୋହର ଅଶେଷ ମଙ୍ଗଳ-

ହୁଏ ବଢ଼େ ତହୁଁ ବସୁମତୀ ବଳ

 

ମହାଜନ ଦଣ୍ଡ କଠୋର ଆପାତ

କିନ୍ତୁ ପରିଣାମେ କରେ ସୁଖ ଜାତ

ମହାଜନ ଦଣ୍ଡ ବାଞ୍ଛନ୍ତି ଅମର,

ହୀନ ପୁରସ୍କାର ମହା ଭୟଙ୍କର

 

ମେଘାସନ ! ତୋର ନୀଳ ରୁଦ୍ର ତନୁ

ଆନ କ୍ଷୁଦ୍ରଭାବେ ତଡ଼ିଦେଇ ମନୁ

ଉପୁଜାଏ ପ୍ରୀତି ଅପାର୍ଥିବ-ଭକ୍ତି;

ତେଣୁ ତୋର ସ୍ତବେ ବଳଇ ଆସକ୍ତି

 

କେତେ ରୂପେ ଶୋଭୁ କାମରୂପୀ ଗିରି

ଗ୍ରୀଷ୍ମ-ରଜନୀରେ ଧରୁ ଚାରୁ ଶିରୀ

ଉଜ୍ଜ୍ୱଳେ ତୋ ଦେହୁଁ ଦାବାନଳ ହସେ

ବାଡ଼ବ ଯେସନ ସିନ୍ଧୁ ନୀଳୋରସେ

 

ଦୁରୁ ଦେଖି ତାହା ବନ୍ୟ ଜନ୍ତୁକୁଳ,

ପଳାନ୍ତି ଜୀବନ ଆତଙ୍କେ ଆକୁଳ

ଠାବେ ଠାବେ ଲାଗି କେନ୍ଦୁକାଠେ ନିଆଁ,

ଭୂଇଁ ଚମ୍ପା ୧ ପ୍ରାୟ ଦିଶେ ବାହାରିଆ

୧- ଚୁଟି ନାମକ ବାଣବିଶେଷ

 

ସ୍ୱର୍ଣ୍ଣବର୍ଣ୍ଣ ଫୁଲ ସୃଜି ଆକାଶରେ,

ଚଉପାଶେ ଝଡ଼ି ପଡ଼ୁଥାଏ ଖରେ

ଉତ୍ସବେ ମାତିଣ ବନ୍ୟ ଦେବତାଏ,

କରନ୍ତି ରୋଶନି ଅବା ଠାଏଁ ଠାଏଁ

 

ବଂଶବନେ ନିଆଁ ଲାଗି ଜଳିଉଠେ,

ନଳୀ ପ୍ରାୟେ ତାର ଗଣ୍ଠିମାନ ଫୁଟେ

ତହୁଁ ନିଆଁ ଯାଏ ଆକାଶେ ଛିଡ଼ିକି,

ହାବେଳୀ ବାଣ ବା ଉର୍ଦ୍ଧ୍ୱେ ଉଠୁଛି କି ?

 

ସେ ଆଲୋକ ରକ୍ତ-ପତ୍ରେ ପ୍ରତିଫଳି,

ଚନ୍ଦ୍ର ଉଦିଆର ୨ ଶୋଭାଦିଏ ଦଳି

ବରିଛି କି ଧରା ଆକାଶକୁ ଧବ,

ଲାଗିଅଛି ତାଙ୍କ ବିବାହ ଉତ୍ସବ

୨- ଦୀପକ

ପୁରୋହିତ ତହିଁ ଧୀର ସମୀରଣ,

ସୁ ସୁ ଶବ୍ଦେ କରେ ମନ୍ତ୍ର ଉଚ୍ଚାରଣ

ଅନଳେ ଅନିଳ ଢାଳେ ପୁଷ୍ପସ୍ତୋମ,

ବରବଧୁଙ୍କର କି ସେ ଲାଜା-ହୋମ ?

 

ଚଡ଼ଚଡ଼ ଶବ୍ଦେ ପୋଡ଼ିଯାଏ ବନ,

ବାଜେ ଜଗଝାମ୍ପ ଅବା ଅଗଣନ

ନାନା ନିଶାଚର ପଶୁପକ୍ଷୀ ସ୍ୱରେ,

ମୁଖରି ଉଠଇ ବନ ଥରେ ଥରେ

 

ସେ ରବେ ଦିଗନ୍ତ ପଡ଼ୁଛି ଉଛୁଳି,

ବିବାହର କି ସେ ଶଙ୍ଖ ହୁଳହୁଳି ?

କୁସୁମ-ଭୂଷଣ ଧରି ନୂଆ ନୂଆ,

ଉଭା କି ପାଦପେ ଦେବେ ମୁହଁ ଚୁହାଁ

 

ଚରିଆସେ ଅଗ୍ନି ପୋଡ଼ି ପୋଡ଼ି ବନ,

ବହି ଆସୁଛି କି ତରଳ ସୁବର୍ଣ୍ଣ ?

ଅବା ନୀଳମେଘେ ସ୍ଥିର ସୌଦାମିନୀ,

ଖେଳୁଛି କି ତପ୍ତହାଟକରୂପିଣୀ ?

 

ନିଶୀଥେ ତୋ ଦେହୁ ଉଠେ ଘନ ଘନ;

ଘୋର ବିଭୀଷିକା-ଗଭୀର ଗର୍ଜନ

ଦନ୍ତାବଳ ଦନ୍ତାବଳ ହୋଇ କ୍ରୁଦ୍ଧ,

କରନ୍ତି ହୃତ୍କମ୍ପୀ ବିଭୀଷଣ ଯୁଦ୍ଧ

 

ଦନ୍ତ ସଂଘର୍ଷଣେ ଝଡ଼ି ଅଗ୍ନିକଣ,

ପ୍ରଖର ଗତିରେ ଜଳିଉଠେ ବଣ

ଉଠେ ମୂହୁର୍ମୁହୁଃ ରୁଦ୍ରରଣରଡ଼ି,

ପ୍ରଳୟେ ଯେସନ ଘନ ଘଡ଼ଘଡ଼ି

 

ପ୍ରତେ ହୁଏ ଗଲା ଭାଙ୍ଗି ତୋ ଶିଖର,

ଅବା ଫାଟିଗଲା ଶତଧା ଅମ୍ୱର

ଗର୍ଜେ କାହିଁ ଦେଖି ଶାର୍ଦ୍ଦୂଳ ଶାର୍ଦ୍ଦୂଳେ;

ବେନି ଶବ୍ଦ ମିଶି ହୁଏ ସୁପୃଥୁଳ

 

କମ୍ପେ ବାନସ୍ପତି ହୋଇ ଥରହର,

ଝଡ଼ିପଡ଼େ ଭୟେ ପାଦପୁ ପତର

ଛିଡ଼ିଯାଏ ଜୀବ ଜୀବନ-ନାଟିକା,

ଶୁଖିଯାଏ ଦେହୁ ରୁଧିର-କଣିକା

 

ଦିଗନ୍ତବିସ୍ତାରୀ ନୀଳକାନ୍ତ ବନ,

ତା ମଧ୍ୟେ ବିରାଜୁ ତୁହି ମେଘାସନ !

ସମୁଦ୍ର ସଲିଳ-ଶଯ୍ୟାରେ ମାଧବ,

କରନ୍ତି କି ଯୋଗ-ନିଦ୍ରା ଅନୁଭବ ?

 

ଚୂଡ଼ା ପରେ ଚୂଡ଼ା ରାଜଇ ରୁଚିରେ,

ଅନନ୍ତ ଫଣା କି ଅନନ୍ତଙ୍କ ଶିରେ ?

ପଦପ୍ରାନ୍ତେ ବସି ପ୍ରତୀଚୀ-ଅଙ୍ଗନା,

ଲକ୍ଷ୍ମୀ ପ୍ରାୟେ କରେ ଚରଣ ଅର୍ଚ୍ଚନା

 

ଉର୍ଦ୍ଧ୍ୱେ ଥାଇ ଘନ କରେ ଘୋର ରବ,

ନାଭି-ପଦ୍ମେ ବ୍ରହ୍ମା କରନ୍ତି କି ସ୍ତବ ?

ଏସନ ପ୍ରତୀତ, ଧନ୍ୟ ତୋ ସୁଷମା,

ସର୍ବାଂଶରେ ଧରୁ ବିଷ୍ଣୁଙ୍କ ଉପମା

 

ଗୁହାମୁଖେ ଗିରି କି ମନ୍ତ୍ର ପ୍ରଚାରୁ,

ବୁଝି ନୋହେ ତାହା ଅସ୍ପଷ୍ଟ ହେବାରୁ

ମାତୃଭାଷା ମୋର ଛଣା ସୁଧାଜିଣା

ଲାଗଇ ମଧୁର ମୋ କାନକୁ ସିନା !

 

ଆନ ଭାଷା ମୋତେ ଭଲ ଲାଗେ ନାହିଁ,

ସୁଧା ସଙ୍ଗେ ଗୁଡ଼ ସରି ହେବ କାହିଁ !

ନାହିଁ ଏଣୁ ଆନ ଭାଷାରେ ମୋ ଆଶା,

ପୋଷିଅଛି ମୋତେ ମୋର ମାତୃଭାଷା

 

ମାତା ସମ ସେହୁ ଅତି ପୂଜନୀୟା,

ଛାଡ଼ି ତାକୁ ଆନେ ପୂଜିବି ମୁଁ କିଆଁ ?

ଭବେ ସ୍ନେହମୟୀ ଜନନୀ ଯେପରି,

ଶତ ମାଉସୀ କି ହେବ ତାର ସରି ?

 

ତୋ ମାତୃଭାଷାରେ କହୁ ତୁହି କଥା,

ଧନ୍ୟ ତୋର ମାତୃଭାଷାର ମମତା !

ମାତୃଭାଷା ପ୍ରତି ଆଦର ସମ୍ମାନ,

ରଖିଛୁ ଅଟଳ ତୁହି ସାନୁମାନ !

 

ମାତୃଭାଷା ପ୍ରତି ଯେ ରଖେ ମମତା,

ନର ନୁହେଁ ସେହୁ,-ସ୍ୱର୍ଗର ଦେବତା

ମାତା, ମାତୃଭାଷା, ମାତୃଭୂମି ତିନି,

ସ୍ୱର୍ଗୁ ଗରୀୟସୀ ଚୌବର୍ଗଦାୟିନୀ

 

ରଖେ ତାଙ୍କ ପଦେ ଧ୍ୟାନ ଯେ ସୁମତି,

ପୁଣ୍ୟବନ୍ତ ସେହୁ, ତା ପଦେ ପ୍ରଣତି

ମାତୃଭାଷା ସେବି ଭଞ୍ଜବୀରବର,

ହୋଇଛନ୍ତି ସିନା ଉତ୍କଳେ ଅମର !

 

ବୀଣାପାଣି-ପ୍ରିୟ ଭକ୍ତକବି ରବି,

ଜଗନ୍ନାଥ ବଳରାମ ଭକ୍ତକବି,

ଦେଖାଇଣ ଆସ୍ଥା ମାତୃଭାଷା ପ୍ରତି,

ଯାଇଛନ୍ତି ଧନ୍ୟ କରି ବସୁମତୀ

 

ତାହାଙ୍କ ସୁଚିତ୍ର-କୁଶଳା ଲେଖନୀ,

କାବ୍ୟୋପାଦାନର ସୁବିସ୍ତୃତ ଖଣି

ଚିତ୍ରେ ପୂର୍ଣ୍ଣ କଲା ସାହିତ୍ୟ ପଟାକୁ,

ଅଙ୍କି ତହିଁ ନାନା ଚାତୁରୀ ଛଟାକୁ

 

ସେ ଅପୂର୍ବ ଦୀପ୍ତ ଚାରୁ ଚିତ୍ରଚୟ,

କରୁଛି ସାହିତ୍ୟକ୍ଷେତ୍ରେ ଆଭାମୟ

କି କୌଶଳେ ହୋଇଅଛି ଚିତ୍ରାଙ୍କନ,

ନୁହେଁ ପୁରାତନ, ସର୍ବଦା ନୂତନ

 

ଧନ୍ୟ ଗିରି ତୋର ମାତୃଭାଷା ଭକ୍ତି,

ତାହା ବିନୁ ଆନେ ନାହିଁ ତୋ ଆସକ୍ତି

ଧ୍ୟାନ ମୂର୍ତ୍ତି ତୋର ଶୂନ୍ୟ ଆଧିବ୍ୟାଧି,

କେତେ ଦିନୁ ତାର ହେଲାଣି ସମାଧି

 

ପାର୍ଥିବେ ଆସକ୍ତି ନାହିଁ ତାର ମନ,

କରୁଛି ସେ ଦିବ୍ୟ-ଧାମେ ବିଚରଣ

ମୁନିବେଶ ଯେଣୁ ମୁନି ବ୍ୟବହାର,

ନିତ୍ୟ ବ୍ରତ ତୋର ପର ଉପକାର

 

ମେଘାସନ ! ତୋର ନାନା ଚାରୁ-ଚିତ୍ର,

ଦେଖି ନେତ୍ର ମୋର ହେଲା ସୁପବିତ୍ର

ସୃଜେ ଜଳସ୍ତମ୍ଭ ତୋ ଦେହେଁ ପ୍ରପାତ,

ଶତହସ୍ତ ଊର୍ଦ୍ଧ୍ୱୁ ହୁଏ ନିମ୍ନେ ପାତ

 

କୁନ୍ଦିତ ହୀରକ-ସ୍ତମ୍ଭ ବା ଗୋଟାଏ,

କଳିବାକୁ ପୃଥ୍ୱୀ-ବ୍ୟାସ ଗଳିଯାଏ

ରବିକର ସ୍ପର୍ଶି ସେ ସ୍ତମ୍ଭର ଜଳ,

ସୃଜେ ଇନ୍ଦ୍ରଧନୁ ବର୍ଣ୍ଣ ଅବିକଳ

 

ତୋଳା ହେବ ତହିଁ ଉଆସ ତୋହର,

ସେଥିପାଇଁ ଅବା ଆଗୁଁ ଧରାଧର,

ନାନା ସମୁଜ୍ଜ୍ୱଳ ରତନନିର୍ମିତ,

ଶୁଭସ୍ତମ୍ଭ ଏକ ହେଉଛି ପ୍ରୋଥିତ

 

ସଜଳ ସରସୀ ରହି ଠାଏ, ଠାଏ,

ଶୋଭାପାଏ ତୋର ଦିବ୍ୟ ଚକ୍ଷୁପ୍ରାୟେ

ପାତାଳର କି ସେ ସ୍ଫଟିକ କବାଟ,

କିମ୍ୱା ଶୁଖୁଅଛି ନୀଳମେଘୀ ପାଟ

 

ହଂସ କାରଣ୍ଡବକୁଳ ଫଙ୍‌କ୍ତି ଧରି,

ବୁଲୁଛନ୍ତି ମୁଦେ ଚୌପାଶେ ସନ୍ତରି

ସେ ନୀଳ ଦୁକଳେ ରହିଛି କି ଜଡ଼ି

ଚାରୁ-କାରୁଯୁକ୍ତ ସରୁ ଫୁଲ ଧଡ଼ି

 

ସରସୀ ଭୂଷଣ ସରସୀଜ ଫୁଲ,

ସରେ ଫୁଟି ଶୋଭା ପ୍ରକାଶେ ଅତୁଳ

ଇନ୍ଦ୍ରନୀଳ ପାତ୍ରେ ହୋଇଛି କି ଥୁଆ,

ପଦ୍ମରାଗେ ଗଢ଼ା ସିନ୍ଦୁର ଫରୁଆ

 

ସିନ୍ଦୁର ଘେନିବେ ବନଦେବୀଗଣ,

ଏ ସୁରମ୍ୟ ସ୍ଥଳେ ମଣି ନିକାଞ୍ଚନ

ସାନ ସାନ ମୀନେ କରି କୁଆବୁଆ,

ସରେ ବୁଡ଼ି ପାଣି ଘାଣ୍ଟେ ପାଣିକୁଆ

 

ଥଣ୍ଟେ ମାଛ ଧରି ଆନନ୍ଦିତ ହୋଇ,

ରାବି ରାବି ଉଡ଼ିଯାଉଛି ଗାଙ୍ଗୋଇ

ଜଳପାନ ଆଶେ ହିଂସ୍ରଜନ୍ତୁଗଣ,

ଚଉପାଶୁଁ କଲେ ତଡ଼ାଗେ ବେଷ୍ଟନ

 

ମାନସେ ଯେସନ ଦୁଷ୍ଟ ରିପୁଦଳେ,

ଆବରିଥାଆନ୍ତି ଚୌପାଶୁ ପ୍ରବଳେ

ଦୁଷ୍ଟ ଜନ୍ତୁକୁଳ ଯେ କାଳେ ବାହାରି,

ସରୋବରେ ଯାନ୍ତି ପିଇବାକୁ ବାରି,

 

ଲୁଚନ୍ତି ସେକାଳେ ଆନ ଜନ୍ତୁଚୟ,

ଶିଷ୍ଟ ଜନ୍ତୁଶୂନ୍ୟ ହୁଏ ଜଳାଶୟ

ଦୁର୍ଜ୍ଜନେ ସେଠାରେ କରନ୍ତି ବିବାଦ,

ପଡ଼େ ନାହିଁ ତହିଁ ସଜ୍ଜନର ପାଦ

 

ମେଘସନ ! ତୋର ବୈରାଗ୍ୟ ସଂଯମ,

ଅଟି ଆଦର୍ଶ ପୁଣି ଅନୁପମ

କେତେ ସ୍ୱାଦୁଫଳେ ପୂର୍ଣ୍ଣ ତୋ ଭଣ୍ଡାର,

ନ କରୁ ଗୋଟାଏ ତହିଁରୁ ଆହାର

 

ନାନା ପୁଷ୍ପେ ପୂର୍ଣ୍ଣ ତୋହର ତୋଟାଏ,

ନ କରୁ କେବେ ତୁ ଆଘ୍ରାଣ ଗୋଟିଏ

ପଣ ପଣ ହସ୍ତୀ ଅଛନ୍ତି ତୋ ଘରେ,

କେବେ ନ ଆରୋହୁ ତାହାଙ୍କ ଉପରେ

 

ସମଭାବେ ସହୁ ଖରା ବର୍ଷା ଶୀତ,

ଦୁଃଖରେ ନ ହୁଏ ଅଧୀର ତୋ ଚିତ୍ତ

ସୁଖେ ସେହିପରି ନ ପ୍ରକାଶୁ ଢମ,

ଧନ୍ୟ ! ଶତ ଧନ୍ୟ ! ! ତୋହର ସଂଯମ

 

ସଂସାର ପ୍ରତି ତୁ ନୋହୁ ଅନୁରାଗୀ,

ମହାମନା ଯେଣୁ ତେଣୁ ମହାତ୍ୟାଗୀ

ସଂଯମୀ ଯେପରି ବୈରାଗୀ ସେପରି,

ଭବେ ତୋର ସରି କିଏ ରେ ଶିଖରି !

 

ବସିଛୁ ସର୍ବଦା ଶ୍ରୀହରିଙ୍କ ଧ୍ୟାନେ,

ନାହିଁ ତୋ ଆସକ୍ତି ତାଙ୍କ ବିନା ଆନେ

ଜାଣୁ ତୁ ଏ ମାୟା ସଂସାରର ତଥ୍ୟ,

ସବୁ ମିଥ୍ୟା, ସେହି ସତ୍ୟମୟ ସତ୍ୟ

 

ରଖିଅଛୁ ତେଣୁ ତାଙ୍କ ପଦେ ଲୟ,

ଧନ୍ୟ ତୋ ହୃଦୟ ଜ୍ଞାନାଲୋକମୟ

ଶୈଳେନ୍ଦ୍ର ! ତୋହର ବିଭୀଷିକା ଘାଟି,

ନିରେଖି ସଭୟେ ହୃଦ ପଡ଼େ ଫାଟି

 

ବେନି ପାର୍ଶ୍ୱେ ଗିରି-ଭୃଗୁମାନ,

ମଧ୍ୟରେ ସଂକୀର୍ଣ୍ଣ ପଥ ବ୍ୟବଧାନ

ଦୂରୁ ଲମ୍ୱମାନ ନାଳ ପରି ଦିଶେ,

ପାପ-କଣ୍ଟା-ବନେ ଧର୍ମ୍ମ-ଦାଣ୍ଡ କି ସେ

 

ପ୍ରତ୍ୟୁଷ, ପ୍ରଦୋଷ, ମଧ୍ୟାହ୍ନ ସମୟେ,

ପରିପୂର୍ଣ୍ଣ ହୋଇ ଶ୍ୱାପଦନିଚୟେ,

ହୁଅଇ ଅଗମ୍ୟ ଅତି ଭୟଙ୍କର,

ଶୋଷିନେଉଥାଏ ଧୈର୍ଯ୍ୟ ପଥିକର

 

ବନ୍ୟ ଜାତି ତହିଁ ଉବା ୧ ହାତ ଧରି,

ଗମନ୍ତି ନିଶାରେ ଭୟ ପରିହରି

ପଥେ ଠାବେ ଠାବେ ବିସ୍ତୀର୍ଣ୍ଣ ପତଡ଼ୀ ୨

ଦିଶେ ଭୟଙ୍କର ଅତି ବଢ଼ି ପଡ଼ି

୧-ଶାଲତୋନିର୍ମିତ ମସଲା

୨- ଘନ ପତ୍ରପୂର୍ଣ୍ଣ ବନ

 

ସଙ୍କଟ ସେ ପଥେ ଥିବାରୁ ଆଚ୍ଛାଦି,

ଧରିଛି କି ‘‘ଗିରି-ସଙ୍କଟ’’ ଉପାଧି

ଧର୍ମପଥ ପରି ନୁହେଁ ସେ ସୁଗମ୍ୟ,

କରେ ଶ୍ରାନ୍ତ ପାନ୍ଥେ ପ୍ରସ୍ତର ବୈଷମ୍ୟ

 

ବୁଝିଲି ଏବେ ମୁଁ ତୁଟିଗଲା ଭ୍ରାନ୍ତି,

ସଙ୍କଟ ମଧ୍ୟରେ ଥାଏ ନାହିଁ ଶାନ୍ତି

ମେଘାସନ ! ତୋର ତଥ୍ୟ ଅତି ଗୃଢ଼,

ପ୍ରସ୍ତର ନୋହୁ ତୁ, ଅଟୁ ରତ୍ନକୁଢ଼

 

ଜନ-ନେତ୍ରେ ସିନା ଆଭାସୁପ୍ରସ୍ତର,

ମାତ୍ର ତୁ ବିବିଧ ରତ୍ନ ରୂପାନ୍ତର

ତୋଳିରୁ ଆକାଶେ ମସ୍ତକ ଉନ୍ନତ,

ବହୁ ଦୂରବର୍ତ୍ତା ହେଉ ଅବଗତ

 

କିମ୍ୱା ଅଳୁଅଛୁ ସ୍ୱର୍ଗର ବସତି,

ଅଥବା ନକ୍ଷତ୍ର ଗ୍ରହ ତାରାଗତି

ବହୁଦୂର ଯାଏଁ ଯାଏ ତୋର ଦୃଷ୍ଟି,

ଦେଖୁ ନିତି ନିତି ନବ ସୃଷ୍ଟି

 

ତଳ-ବନ୍ଧୁରତା ତୋ ନେତ୍ରେ ସମାନ,

ନାହିଁ ବଡ଼ ସାନ ଆତ୍ମପର ଜ୍ଞାନ

ମହାଜନ ହୃଦେ ଇତର ବିଶେଷ,

ହୀନ ଭାବ ସ୍ଥାନ ପାଏ ନାହିଁ ଲେଶ

 

ଦେଖନ୍ତି ସେମାନେ ସର୍ବେ ଏକାକାର,

ମଣନ୍ତି ସକଳେ ନିଜ ପରିବାର

ତୋ ଚଟୁଳ ଚୂଡ଼ାନିକର ରେ ଗିରି,

ପ୍ରକାଶୁଅଛନ୍ତି ଆନ ଆନ ଶିରୀ

 

କ୍ରମନିମ୍ନ ଶିଳା ରହି ସ୍ତରେ ସ୍ତରେ,

ଶୋଭେ କେଉଁ ଶୃଙ୍ଗ ଦେଉଳ ରୂପରେ

କାହାର ଆକାର ମେହେରାବି ପ୍ରାୟେ,

ତ୍ରିକୋଣାକୃତିରେ କେହି ଶୋଭାପାଏ

 

କେହି ଦୂରାରୋହ ଅତି ଗଡ଼ାଣିଆ,

କାଟିଦେଲା ପ୍ରାୟେ ହୋଇଅଛି ଠିଆ

କେହି ଲଗାଲଗି କେହି ଛଡ଼ାଛଡ଼ି,

ଯାଇଛି କେ ଉଚ୍ଚେ ସ୍ତମ୍ଭାକାରେ ବଢ଼ି

 

ରହି ନତଭାବେ କେବଣ ଚୂଡ଼ାଏ,

ଶୋଭେ ଷଣ୍ଢା ଭାଙ୍ଗି ଚାହିଁଲା ପରାଏ

କାହା ପ୍ରତି ଘନ ବହି ଅନୁରାଗ,

ମସ୍ତକେ ପିନ୍ଧାଇଦିଏ ଚାରୁ ପାଗ

 

ଦିଶେ ମେଘକୋଳେ ବିଦ୍ୟୁତ ସଞ୍ଚରି,

ଜଡ଼ିତ ସେ ପାଗେ ଯଥା ସୁନାଜରି

କେଉଁ ଚୂଡ଼ା ଦିଶେ ଭଲ୍ଲୁକ ଆକୃତି,

ଧରିଛି କେହି ବା ଘୋଟକର ମୂର୍ତ୍ତି

 

ମାଳ ମାଳ ଶାଳ ପିଆଳ ମେଖଳେ,

ନତ କେହି ଫୁଲେ କେହି ଅବା ଫଳେ

କାହିଁ ଅବା ପୁଷ୍ପ-ସ୍ତବକିନୀ ଲତା,

ଇଚ୍ଛାବର ବରି ପ୍ରକାଶି ମମତା,

 

କରିଛି ପାଦପେ ଦୃଢ଼ ଆଲିଙ୍ଗନ,

ସମର୍ପିଦେଇ ତା ପାଦେ ପ୍ରାଣମନ

କାହିଁ ମଖମଲ ୩ ଧରିଣ କୋରକ,

ବିସ୍ତାରି ଲହକା ସ୍ଥୂଳ ଦୀର୍ଘ ଡଙ୍କ,

୩- ଲତାବିଶେଷ

 

ବୃକ୍ଷୁଁ ବୃକ୍ଷାନ୍ତରେ କରିଛି ଗମନ,

ସୃଜି ଠାବେ ଠାବେ ସୁଚାରୁ ତୋରଣ

ବୁଲୁଛନ୍ତି ଗଣ୍ଡ, ଶଉରା, ଘାସିଆ,

ସମ୍ୱଳ କେବଳ ହସ୍ତରେ ଟାଙ୍ଗିଆ

 

ଶାଳ ବହୁଙ୍ଗୀରେ ମାଉଁସ ପୁଟଳି,

ବନ୍ଧା ହୋଇ ପୃଷ୍ଠେ ଝୁଲଇ ଓହଳି

କାହାକୁ ତାଙ୍କର ନାହିଁ ତିଳେ ଡର,

କିଙ୍କର ତାଙ୍କର ଶ୍ୱାପଦନିକର

 

କେ କାହିଁ ମୃଗାୟାଲବ୍‌ଧ ମାଂସ ପୋଡ଼ି,

ଖାଏ ଖଣ୍ଡେ ଖଣ୍ଡେ କଣ୍ଟକରେ ଫୋଡ଼ି

ବାଟେ ଯାଉଁ ଯାଉଁ ନାନା ଜାତି କୋଳି,

ଭିଲ-ବଧୂଗଣ ଖାଉଛନ୍ତି ତୋଳି

 

କାଠ ଭାଙ୍ଗୁ ଭାଙ୍ଗୁ ବନ୍ୟ-ବାମାଦଳ,

ତୋଳି ନାନାଫୁଲ ମଣ୍ଡନ୍ତି କୁନ୍ତଳ

ଗୁଞ୍ଜ, ଗରଗଡ଼େ ସରଳା ଅବଳା,

ମାଳା ରଚି ତହିଁ ମଣ୍ଡୁଛନ୍ତି ଗଳା

 

ସାତ ପାଞ୍ଚ ବାଳେ କାହିଁ ହୋଇ ମେଳ,

ଖେଳନ୍ତି ହରଷେ ଗଛକାଉ ଖେଳ

କୋଇଲି ସୂତାରେ ୧ କାହିଁ ଶିଶୁଗଣ,

ଫୁଲ ଗୁନ୍ଥି, ତହିଁ ରଚି ଆଭରଣ,

୧- ଗୁଣ୍ଡୁଚି ବା ଗୁଳଞ୍ଚ ଲତାର ସୂତାକାର ଅଂଶ

 

ମଣ୍ଡନ୍ତି ସରାଗେ କଟି, କଣ୍ଠ, କର,

ବିମୋହିନୀ ଶକ୍ତି ଧନ୍ୟ କୁସୁମର

ଭବେ ସର୍ବପ୍ରିୟ କେ ଅଛି ତା ତୁଲେ,

ସର୍ବତ୍ର ଆଦର କିଣେ ଗୁଣ-ମୂଲେ

 

ଯେ ମୋହି ପାରଇ ସମସ୍ତଙ୍କ ମନ,

ଅଟେ ସିନା ତାର ଆଦର୍ଶ ଜୀବନ

ଗିରିପାଦେ ବନ୍ୟ-ଜାତି ପର୍ଣ୍ଣ ପଲ୍ଲୀ,

ଦୂରୁ ଦିଶେ ବିଛାହେଲା ପ୍ରାୟେ ଖଲି ୨

୨- ଶଳାକା-ସ୍ୟୁତ ଶାଳପତ୍ର

 

ଖାଡ଼ିଆ, ଭୂମିଜ, କୋଲ, ଗୁଞ୍ଜା, ଗଣ୍ଡେ,

ମାରିଛନ୍ତି ଭୂଇଁ-ପଲା ଖଣ୍ଡେ ଖଣ୍ଡେ

ମାଡ଼ିଛି ବହଳେ ପତ୍ର-ଚାଳେ ଗୁଞ୍ଜ,

ଆଭାସଇ ଦୂରୁ ଯଥା ଲତାକୁଞ୍ଜ

 

ଧନ ସମ୍ପଦରେ ଶୂନ୍ୟ ସେ କୁଡ଼ିଆ

ହାଣ୍ଡି ହାଣ୍ଡି ଖାଇ ବସିଛି ହାଣ୍ଡିଆ

ବନ ଯେ ଜାତିର ଖାଦ୍ୟର ଭଣ୍ଡାର,

ଆନ ଧନରତ୍ନେ କେଉଁ ଲୋଡ଼ା ତାର ?

୩-ମଦ୍ୟବିଶେଷ

 

ପୁରାନ୍ତି ଉଦର ଅରଣ୍ୟେ ବିଚରି,

ନ ଜାଣନ୍ତି ତେଣୁ ସଞ୍ଚୟ କିପରି

ନିତି ନିତି ଆଣି ନିତି ନିତି ଖାନ୍ତି,

ଭୁଞ୍ଜନ୍ତି ନିର୍ଭୟେ ସଦା ସୁଖଶାନ୍ତି

 

ଧନହୀନ ହେତୁ ସଜାତି ସରବ,

ଛୁଏଁ ନାହିଁ ତାଙ୍କୁ ଆପଦୋପଦ୍ରବ

ଅର୍ଥ ଏକା ସିନା ଅନର୍ଥର ମୂଳ,

ଯହିଁ ଅର୍ଥ ତହିଁ ସବୁ ଦୁଃଖ ଠୁଳ

 

ଯେ ବିଶୁଦ୍ଧ ସୁଖ ଭୁଞ୍ଜନ୍ତି ନିର୍ଦ୍ଧନେ,

ବଞ୍ଚିତ ସେ ସୁଖୁ ଧନୀଏ ସ୍ୱପନେ

ଧନୀ ମନେ ଭୀତି, ଆଶଙ୍କା, ବିପତ୍ତି,

କରିଥାଏ ସଦା ନିବିଡ଼େ ବସତି

 

ତେଣୁ ଧନୀ ଚିତ୍ତ ସତତ ଅସ୍ଥିର,

ଧନ ତାର ଯଥା ପଦ୍ମ ପତ୍ରେ ନୀର

ବନ୍ୟ ଜାତି ନାରୀ ପୁରୁଷ ସମସ୍ତ,

ଅଛନ୍ତି ବିବିଧ କଉତୁକେ ରତ

 

ମତ୍ତ ହୋଇ କେହି ହାଣ୍ଡିଆ ପାନରେ,

ଉତ୍କଟ ତାଣ୍ଡବ ନୃତ୍ୟ ଅନୁକରେ

କାହିଁ ବା ତରୁଣେ ମିଳି ସାତ ଆଠ,

ଚାଙ୍ଗୁ ବାଦ୍ୟ ବାଇ କରୁଥାନ୍ତି ନାଟ

 

କିଶଳୟ-ବେଶେ ରସିକା ରସିକେ,

ମାତିଛନ୍ତି କାହିଁ ମିଳି ଚୌର୍ଯ୍ୟତ୍ରିକେ

ମଣ୍ଡିତ ସର୍ବାଙ୍ଗ ଫୁଲ, ପତ୍ର, ଡ଼ାଳେ,

ନାଚେ ନୃତ୍ୟକାଳେ ତାହା ତାଳେ ତାଳେ

 

ଏହାଙ୍କ ଜୀବନ ସଦା ଶାନ୍ତିମୟ,

ମହାସୁଖେ ମୁଦେ କ୍ଷେପନ୍ତି ସମୟ

ସରଳ ହୃଦୟ, ସରଳ ବିଶ୍ୱାସ,

ନ ପଶନ୍ତି ମିଥ୍ୟା, ପ୍ରତାରଣା ପାଶ

 

ବୁଝନ୍ତି, ଏକତା କିରୂପ ମହତ,

କରିଥାନ୍ତି ତେଣୁ ତାକୁ ନିତ୍ୟବ୍ରତ

ଆନ ବଳ ଯେତେ ଅଛି ଭୂମଣ୍ଡଳେ,

ଏକତାର ବଳ ସବୁଠାରୁ ବଳେ

 

ବୁଝନ୍ତି ଏ କଥା ଅସଭ୍ୟ ବଣୁଆ,

ନ ବୁଝନ୍ତି ହାୟ ! ସୁସଭ୍ୟ ପାଠୁଆ

ରବି ଅସ୍ତକାଳେ ତୋ ବିରାଟ ଛାୟା,

ବିସ୍ତାରିଣ କ୍ରମେ କ୍ରମେ ମହାକାୟା

 

ପ୍ରକୃତିର ହାସ୍ୟେ ପକାଏ ଘୋଡ଼ାଇ,

ଆନନ୍ଦେ ଯେସନ ନିରାନନ୍ଦ ଛାଇ

ବୀଜରୁ ସଂଜାତ ହୋଇଣ ବିଟପୀ

ଆକାରେ ସେ ବୀଜେ ଯାଏ ଯଥା ଟପି

 

ତୋ ବିଶାଳ ଛାୟା ସିନା ସେହିଭଳି,

ତୋହଠାରୁ ଜନ୍ମି ଯାଏ ତୋତେ ବଳି

ତୋପରି କିନ୍ତୁ ସେ ନୁହେଁ ଗୁଣଶାଳୀ,

ଆନ ସୌମ୍ୟ ମୁଖେ ବୋଳିଦିଏ କାଳୀ

 

ଯଥା ଦେଶଦ୍ରୋହୀ ଆଚରି କୁକାର୍ଯ୍ୟେ,

ଲଗାଏ କଳଙ୍କ ସ୍ୱଦେଶେ ସମାଜେ

ଜଳ ସ୍ଥଳ ଛାଇ ମାଡ଼ିଯାଏ ଛାଇ,

ପଥାପଥ ଭେଦ କିଛି ବାରେ ନାହିଁ

 

ସ୍ୱଧର୍ମ-ଶୃଙ୍ଖଳ-ବିଚ୍ୟୁତ ଦୁର୍ଜ୍ଜନ,

ଅପଥ ବିପଥ ନ ମାନି ଯେସନ,

ଆଚରି ଅକର୍ମ ବୁଲେ ଯଥା ତଥା,

ପାପେ ନଷ୍ଟ ହୁଏ ଅଚିରେ ସର୍ବଥା

 

ସେହିପରି ଗିରି ! ରାତ୍ରେ ତୋର ଛାଇ,

ଯାଏ ଖରେ ଗାଢ଼ ଅନ୍ଧାରେ ମିଳାଇ

ହାତେ ହାତେ ମିଳେ କୃତକର୍ମ ଫଳ,

ଏହା ସନାତନ ନିୟମ କେବଳ

 

କି ବର୍ଣ୍ଣିବି ଗିରି ! ତୋ ଶୋଭାସମ୍ୱଳ

ଲେଖନୀ ମୋହର ନିତାନ୍ତ ଦୂର୍ବଳ

ବାରବାନୀ ଯେଡ଼େ ହେଉ ପଛେ ଖାଣ୍ଟି,

ଅଜ୍ଞ ସୁନାରିର ହାତେ ହୁଏ ମାଟି

 

ସେହିପରି ତୁହି ମୋଦ୍ୱାରା ବିବୃତ-

ହୋଇ ହେଲୁ ସିନା କେବଳ ବିକୃତ

ମେଘାସନ ! ତୋର ମହିମା ଅନେକ

ରଖିଅଛୁ ତୁହି ଭଞ୍ଜରାଜ୍ୟ ଟେକ

 

ସରସ ତୋ ହୃଦ ଯଥା ପୟଃପେଟୀ,

ନାନାଦ୍ରବ୍ୟ ଦେଉ ଭଞ୍ଜରାଜେ ଭେଟି

ଭଞ୍ଜନୃପ ପୂତ ରବି-ବଂଶଧରୀ,

ଅଟନ୍ତି ରେ ଗିରି ତୋର ଅଧିକାରୀ

 

ଧରାସୂତା-ସୀତା-ହୃଦୟ-ଚନ୍ଦନ,

ଯେଉଁ ପୂତବଂଶେ ହୋଇ ଅବତଂସ,

ଉଶ୍ୱାସିଲେ ଧରା ନାଶି ରକ୍ଷଃବଂଶ,

ସେ ମହାବଂଶରେ ରାମଚନ୍ଦ୍ରଭଞ୍ଜ

ମଞ୍ଜୁ-ଭଞ୍ଜରାଜ୍ୟ-ସର-ଫୁଲ୍ଲ-କଞ୍ଜ,

 

ଉଇଁ ମଣ୍ଡିଛନ୍ତି ସମଗ୍ର ଉତ୍କଳେ,

ନରରୂପଧାରୀ ଦେବ ସେ ଭୂତଳେ

ଧନେ, ମାନେ, ଜ୍ଞାନେ, ଶିକ୍ଷା ସଭ୍ୟତାରେ,

ସର୍ବ ସଦ୍ଗୁଣେ ସେ ପୂର୍ଣ୍ଣ ଏକଧାରେ

 

ଉତ୍କଳ ତାହାଙ୍କୁ କରିଛି ଭରସା,

ଫେଡ଼ିବେ ବୋଲି ସେ ତାହାର ଦୁର୍ଦ୍ଦଶା

ମଣ୍ଡିଲେ ଯେ ବଂଶ ଦାତା ହରିଶ୍ଚନ୍ଦ୍ର,

ନୃପତି-ତାରକା ମଧ୍ୟେ ପୂର୍ଣ୍ଣଚନ୍ଦ୍ର

 

ରଘୁ ଦଶରଥ ସର୍ବଗୁଣାଧାର,

ଦାନେ ସଦାଶୂନ୍ୟ ଯାହାଙ୍କ ଭଣ୍ଡାର

ପ୍ରଭୁ ରାମଚନ୍ଦ୍ର ବୀର ମହେଷ୍ୱାସ,

ବମାତା ଆଜ୍ଞାରେ ଗଲେ ବନବାସ

 

ଭବେ ଅତୁଳିତ ସେ ବଂଶଗୌରବ,

ରାମଚନ୍ଦ୍ର ଭଞ୍ଜ ସେ ବଂଶେ ଉଦ୍ଭବ-

ହୋଇଛନ୍ତି ଯେଣୁ, ତେଣୁ ନିଃସଂଶୟ,

ମାତୃଭୂମି କଷ୍ଟ ଫେଡ଼ିବେ ନିଶ୍ଚୟ

 

ଜନନୀବତ୍ସଳ ସୁପୁତ୍ରେ କେବଳ,

ମାତୃମୁଖ ସିନା ବରନ୍ତି ଉଜ୍ଜ୍ୱଳ

ମେଘାସନ ! ତୁହି ଗିରିମାଳେ ରଜା,

କିନ୍ତୁ ଭଞ୍ଜରାଜ୍ୟେ ଅଟୁ ସ୍ଥାୟୀ ପ୍ରଜା

 

ସେ ପୂତ ରାଜ୍ୟରେ ତୋହୋପରି କେହି,

ଆନ ପ୍ରଜା କର ନ ପାରନ୍ତି ଦେଇ

ଅସଂଖ୍ୟ ପ୍ରାଣୀର ସ୍ତୁତି ନିତ୍ୟ ଘେନୁ,

ଭଞ୍ଜଭୂମିର ତୁ ଅଟୁ କାମଧେନୁ

 

ବିରାଜୁଥାଅ ରେ ଗିରି ! ମହାକାୟ,

ତୋହୋଠାରୁ ଏବେ ମାଗୁଛି ବିଦାୟ

ଯାଉଅଛି ଖାଲି ଦେହ ଘେନି କରି,

ମନନେତ୍ରକୁ ତ ରଖିଲୁ ତୁ ଧରି

 

ରହିଲା ଅଙ୍କିତ ହୋଇ ହୃଦୟରେ,

ତୋ ନୀରବ ଦୀକ୍ଷା ଅକ୍ଷୟ ଅକ୍ଷରେ

ହୃଦୟ-ଆକାଶେ କୁଆଁ ତାରା ପ୍ରାୟେ,

ଝଟକୁଥିବ ସେ ଜୀବ ଥିବାଯାଏଁ

 

ଚାରୁଚିତ୍ରମୟ ତୋ ରୂପ ମୋହନ,

ବିସୋରି ନ ଯିବ ମନୁ କଦାଚନ

ମେଘାସନ ! ଘେନ ମୋର ଯଥାନ୍ୟାୟ

ବିନୟ ସମ୍ମାନ, ଘେନିଲି ବିଦାୟ