Unknown

ଖୁଦମଳୁଖ

ଚିନ୍ତାମଣି ମହାନ୍ତି

ଫମ୍ପା ଉପାଧିରେ କି ଅଛି ଭାଇ,

ପେଟ ପୂରିବ କି ତାହାକୁ ଖାଇ ।

ସେ ଉପାଧି ବନ୍ଧା ରଖି ଶଗଡ଼େ,

ଦେବ ନାହିଁ କେହି ଚାଉଳ ଅଢ଼େ ।

 

ଥରେ ଠକି ଯେହୁ ନୁହେଁ ସତର୍କ,

ତାହାଠାରୁ କିଏ ହୁଣ୍ଡା, ଅମ୍ବକ ।

ଆପଣା ସ୍ୱାର୍ଥରେ ପଡ଼ିଲେ ବାଧା,

ସମସ୍ତେ ହୁଅନ୍ତି ମାନିନୀ ରାଧା ।

 

ଦୁଇଆଡ଼େ ଥାଇ ବଢ଼ାଏ ଦ୍ୱନ୍ଦ୍ୱ,

ସେ ଲୋକ ସ୍ୱଭାବ ବଡ଼ ଦୁର୍ଗନ୍ଧ ।

ଖୋଜି ବୁଲି ଭାଙ୍ଗେ ପର କଜିଆ,

ବଡ଼ କୁଟିଳ ସେ ନାଟକୁଟିଆ ।

 

ଏ ଘାନ୍ତି ପ୍ରଶଂସେ ସେ ଘାନ୍ତି ନିନ୍ଦେ,

ତା ମୁହଁ ଦେଖିଲେ ସ୍ମର ଗୋବିନ୍ଦେ ।

ବହୁରୂପ ଧରେ ଏଣ୍ଡୁକା ପରି,

ମହାମୟାବୀ ସେ ଗୁପ୍ତମସ୍ତରୀ ।

 

ପୋଷି ରଖେ ମନେ ପୂର୍ବ ଅହନ୍ତା,

ମନୁଷ୍ୟ ନୁହେଁ ସେ ଦନ୍ତା ଅନନ୍ତା ।

ମାତୃମହୀ ପଦେ କଲେ ଜୁହାର,

ମିଳେ ତୀର୍ଥସେବା ଫଳ ଅପାର ।

 

ଭୋକେ ଶୋଷେ ପେଟ ଯାଉଛି ସଢ଼ି,

ମୁଣ୍ଡରେ ବାନ୍ଧୁଛି କରି ପଗଡ଼ି ।

ମାଖିବାକୁ ତେଲ ନ ମିଳେ ପଳେ,

ଚାନ୍ଦନୀ ରାତିରେ ଦିହୁଡ଼ି ଜଳେ

 

ଶୋଇବାକୁ ନାହିଁ ଚିରା କତରା,

ଖାଇବାକୁ ଶାଧ କ୍ଷିରୀ କାକରା ।

ତୁଚ୍ଛାରେ ମାରେ ସେ ଗାଲଫୁରୁଡ଼ି,

ସେଇଟା ନିହାତି ଗତରକୁଢ଼ୀ ।

 

ଲାଗେ ନାହିଁ ହାତ, ନ ଗଲେ ପାଦ,

ବାର ଘର ତୁଣ ବଡ଼ ସୁଆଦ ।

ମିଠା ଲାଗେ ଯାକୁ ପର ଅଇଁଠା,

ସେ କିପାଁ ଗଢ଼ିବ ବସି ଗଇଁଠା ।

 

ଘାରିଥାଏ ଯାକୁ ଅର୍ଥର ନିଶା,

ପୁଅଠାରୁ ବଡ଼ କାର ପଇସା ।

ଦେବତା ନ ମାନେ ନାସ୍ତିକ ଛାର,

ଇଷ୍ଟଦେବ ତା’ର ପଞ୍ଚମକାର ।

 

ବୁଦ୍ଧି ଅଛି ଯାର ସେହି ବଳୁଆ,

ବୁଦ୍ଧିର କିଣିଲା ସିଂହେ ଠେକୁଆ ।

ବନରେ ମୟୂର ଆକାଶେ ଘନ,

ପଦ୍ମଠାରୁ ସୂର୍ଯ୍ୟ ଲକ୍ଷେ ଯୋଜନ ।

 

ଦିଲକ୍ଷ ଯୋଜନ ଅନ୍ତରେ ଶଶୀ,

କୁମୁଦିନୀ ହସେ ଜଳରେ ବସି ।

ଲାଗିଛି ତାଙ୍କର ଭାବପୀରତି,

ପ୍ରୀତି କରିଦିଏ ଦୂରକୁ କତି ।

 

ଜୈମିନୀ, ସୁମନ୍ତ୍ର, ବୈଶମ୍ପାୟନ,

ପୁଲସ୍ତ୍ୟ, ପୁଲହ ଏ ପାଞ୍ଚଜଣ,

ତପ ତେତେ ଦୀପ୍ତ ଯଥା ତାରକା,

ଏହି ପାଞ୍ଚ ଋଷି ବଜ୍ରବାରକା ।

 

ହୀନସେବା ଛାଡ଼ି ମହଦାଶ୍ରୟ,

କରେ ଚିରକାଳ ହେବ ନିର୍ଭୟ ।

ସିଂହର ମଉଳା ହେବାରୁ ଅଜା,

ବନସ୍ତରେ ହେଲା ଦ୍ୱିତୀୟ ରଜା ।

 

ସୀତା ହରି ନେଲା ଦୁଷ୍ଟ ରାବଣ,

ସମୁଦ୍ରେ ବାନ୍ଧିଲେ ରଘୁନନ୍ଦନ,

ଏଥିରୁ ବିଚିତ୍ର କି ଅଛି ଆନ,

ଦୁଷ୍ଟ ଅପରାଧେ ଶିଷ୍ଟାପମାନ ।

 

ସୁନ୍ଦର ମୁର୍ଖଟି ପଳାଶ ଫୁଲ,

ନାହିଁ ତାର ବାସ, କଡ଼ାଏ ମୁଲ ।

ବୁଦ୍ଧି ନାହିଁ ଯାର ପଶୁ ସେଇଟା,

ଗେଙ୍ଗୁଟିକି ମଣେ ଗଇଁଣ୍ଠା ପିଠା ।

 

ଋଣ କରି କେଭେ ନ ଖାଅ ଘିଅ,

ଶାଗ ମାରିଷରେ ବଢ଼ିବ ଦିହ ।

କୁଆ, ଛୁଆ, ଭୁଆ, ମାଛି, ପିମ୍ପୁଡ଼ି,

ଖାଇଲେ ନ ହୁଏ ଦ୍ରବ୍ୟ ସଙ୍ଖୁଡ଼ି ।

 

ନୀଚ ଉଚ୍ଚପଦେ ହେଲେ ମଣ୍ଡିତ,

ମୁର୍ଖ ପୁତ୍ର ଯେବେ ହୁଏ ପଣ୍ଡିତ,

ଅମାନୀ ଯଦ୍ୟପି ଲଭେ ସମ୍ମାନ,

ଜଗତକୁ ମଣେ ତୃଣ ସମାନ ।

 

ବିଚାରରେ ବସି ଧରେ ଯେ ପକ୍ଷ,

ପର ଘର ଭଙ୍ଗା ଯାହାର ଲକ୍ଷ୍ୟ,

ମହାପାପୀ ସେଟା ଧରମଛଡ଼ା,

କଡ଼ାଏ ନ ଦେଇ ନିଏ ଛକଡ଼ା ।

 

ବିଶ୍ୱାସେ ଦିଏ ଯେ ତଣ୍ଟିରେ ଖୁର,

ମନୁଷ୍ୟ ନୁହେଁ ସେ ହୀନ କୁକୁର ।

ଛଳନା ଯାହାର ଜନ୍ମ ଜୀବିକା,

ପଦାର୍ଥ ନୁହେଁ ସେ ମୃଗତୃଷ୍ଣିକା ।

 

ସ୍ନେହରେ ଚୁମ୍ବିଲେ ସର୍ପବଦନ,

କରିବ ସେ ନିଶ୍ଚେ ମୁଖେ ଦଂଶନ ।

ଦାନ କରି ଯେହୁ ହୁଏ ବଖାଣି,

କୀଟଠାରୁ ସେଟା ଇତର ପ୍ରାଣୀ ।

 

ତୃଣଠାରୁ ନୀଚ ନିଜକୁ ମଣ,

ତରୁ ପରି ଧର ସହିଷ୍ଣୁପଣ,

ଅମାନୀକୁ କର ମାନ ଅର୍ପଣ,

ତୁଣ୍ଡେ ହରିନାମ କର କୀର୍ତ୍ତନ ।

 

ହାତୀକୁ ଦେଖିଲେ ନ କର ଭୟ,

ନ ଡ଼ରିବ କେବେ ଦେଖିଲେ ହୟ,

ଶୃଙ୍ଗୀକୁ ଦେଖିଲେ ଉଞ୍ଚାଅ ବାଡ଼ି,

ଦୁର୍ଜନ ଦେଖିଲେ ପଳାଅ ଛାଡ଼ି ।

 

ବସନ୍ତ ସମ୍ପଦ ମଳୟାନିଳ,

ଗଙ୍ଗାର ସମ୍ପଦ ସ୍ୱଚ୍ଛ ସଲିଳ,

ସାଧୁର ସମ୍ପଦ ସଦା ସତ୍କର୍ମ,

ଗୃହୀର ସମ୍ବଳ କେବଳ ଧର୍ମ ।

 

ଫୁଲର ସୁବାସ ଯାଏ ଦଣ୍ଡକେ

ଗୁଣର ସୌରଭ ସଦା ମହକେ ।

ସ୍ୱଜ୍ଜନର କଥା ପଥରଗାର,

ଖଳ କଥା ପାଣିଗାର ପ୍ରକାର ।

 

ସାପ ଅମଙ୍ଗଳ, ଲାଞ୍ଜ ମଙ୍ଗଳ,

ବିଷ୍ଟ ପୁଚ୍ଛ ଦିଏ ମଙ୍ଗଳ ଫଳ ।

ଅଣ୍ଟାରୁ ଲେଙ୍କୁଡ଼ି ପଡ଼ୁଛି ଛିଡ଼ି,

ମୁହଁରେ ଲାଗିଛି ସିଗ୍ରେଟ ବିଡ଼ି ।

 

ରଜା ହେଉ ପଛେ ଭିକାରୀ ପୁଅ,

ଛାଡ଼ି ପାରିବ କି ଭିକାରୀ ଖୁଅ ।

ଜମିଦାରୀ ସାଜେ ଜମିଦାରକୁ,

ମାନିବ କି ତାହା ହୀନ ଛାରକୁ ।

 

ଭେକଧାରୀ ହୁଏ ଯେବେ ଅଭେକା,

ପଇସାକୁ କରେ ମଉସା ଲେଖା ।

ବଡ଼ଲୋକ ହେଲେ ଏକ ପୁରୁଷା,

ବେତେ ଖାଇ କରେ ରାତିରେ ଭଷା,

 

ସମସ୍ତଙ୍କ ସଙ୍ଗେ କରେ ସେ ହିଂସା,

ବାପ ଲେଖା ତାର ହୁଏ ପଇସା ।

ଚଉଦ ପୁରୁଷ ଯାର ଲଙ୍ଗଳା,

ପଇସା ହେଲେ ସେ ତୋଳେ ବଙ୍ଗଳା ।

 

ଅଦୃଷ୍ଟ ମହିମା ସିନା ଏମନ୍ତ,

ବେଲାମଜା ଚେଲା ହୁଏ ମହନ୍ତ ।

କୋଚିଳା ମୂଳରେ ଦେଲେ ଉଖୁର,

ଲାଗିବ କି ତାହା ଫଳ ମଧୁର ।

 

ଘଡ଼ିକଣ୍ଟା ପରି ମନୁଷ୍ୟ ପ୍ରାଣ,

ଧାଇଁଛି ଆଗକୁ ସର୍ବଦା ଜାଣ ।

ଦମ୍ ସରିଗଲେ ହେବ ସେ ସ୍ଥିର,

ମାଟିରେ ପଚିବ ମାଟି ଶରୀର ।

 

ଏ କଥାକୁ ଦେଇଥିବ ଯେ ଧିସା,

ସେ କିପାଁ କାହାକୁ କରିବ ହିଂସା ।

ଏହିକ୍ଷଣି ପ୍ରାଣ ଗଲେ ବାହାରି,

କେ ତୁମ୍ଭର, ତୁମ୍ଭେ ନୁହଁ କାହାରି ।

 

ହୀନପୁରୁଷ ଯେ ଜୀବନରଙ୍କା,

ବିରାଡ଼ି କଳିକୁ କରେ ସେ ଶଙ୍କା ।

ରଜା ହେଲେ ଖୁଅ ନ ଛାଡ଼େ ଖଳ,

କେଉଁ ପିଠି ନୁହେଁ ବିଷ୍ଠାର ଭଲ ।

 

ପେଟେ ନାହିଁ ପାଠ ମୁଣ୍ଡରେ ନାଳ,

ସେହିଟା ମାଟିର ପାକଳା ବାଳ ।

ଭୁଞ୍ଜାଅ ପଛକେ ଲବଣୀ ସର,

ଆପଣାର କେବେ ନ ହେବ ପର ।

 

ଖାଉଥାଉ ପଛେ ଦୁଧ କଦଳୀ,

କଳୀହୁଡ଼ୀ ତୁଣ୍ଡ ଖୋଜିବ କଳି ।

ସ୍ୱଭାବ ନ ଯାଏ ଉଚ୍ଚ ପରଶେ,

ଫୁଲେ ବସି ମାଛି ଘାଆରେ ବସେ ।

 

ବିଧି ବ୍ରହ୍ମାଙ୍କର ବାହନ ହଂସ,

ଖାଉଛି ସେ ଗେଣ୍ଡା ଶାମୁକା ରସ ।

ସ୍ୱୟଂ ଜଗନ୍ନାଥ ପ୍ରଭୁ ଯାହାର,

ସେ ଗରୁଡ଼ କରେ ସର୍ପ ଆହାର ।

 

ଆଶ୍ରା କରି ଶିବ ଠାକୁରେ ବୃଷ ।

ଖାଏ ପୁଣି ଘାସ, ତୋରାଣି, ତୁଷ ।

ଏଡ଼େ ଲୋକଙ୍କର ଏହି ବିଚାର,

ଇତରର କଥା କିସ ପଚାର ।

 

ହୀନକୁଳେ ଜନ୍ମି ନ ହୁଏ ହୀନ,

ପଙ୍କରୁ ଜନମି ବାସେ ନଳିନ ।

ପଇସାର ନାହିଁ ନ୍ୟାୟ ଧରମ,

ପଇସା ଗରମ ବଡ଼ ଗରମ ।

 

ପାଣ୍ଡବେ ଧ୍ୱଂସିଲେ କୌରବ ଗର୍ବ,

ଏଥକୁ ଭାରତ ଅଠର ପର୍ବ ।

ଗୁହାଳ ଭିତରେ ଗୋରୁ ଆତୁର,

ଗଦି ବିଛଣାରେ ଶୁଏ କୁକୁର,

 

ଧର୍ମ ବିଚାର ଏ କଳି ଯୁଗରେ,

ବଡ଼ଲୋକଙ୍କୁ ତ ଧର୍ମ ବି ଡ଼ରେ ।

ମୁର୍ଖର ଗାରିମା ଢଙ୍ଗ ଅସୀମ,

ବେଶ ସାଜିଥାଏ ଯେହ୍ନେ ହାକିମ,

 

ମହାକାଳ ଫଳ ଦିଶେ ବାହାର,

ଭିତରଟା ତାର ପୋଡ଼ା ଅଙ୍ଗାର ।

ନିତି ପାଣି ପାଏ ବିଲାତି ସାରୁ,

ଶୁଖି ଶୁଖି ମରେ ଲାଉ କାଖାରୁ ।

 

ଏ କାଳର ଏ ତ ଉନ୍ନତ ରୁଚି,

ଅପୂଜ୍ୟ ସନ୍ନ୍ୟାସୀ, ପୂଜିତ ମୃତି ।

ଧୂଳି କି ଅବଜ୍ଞା କରନ୍ତି ହୁଣ୍ଡା,

ଧୂଳିରୁ ଉପୁଜେ ରତନ ମୁଣ୍ଡା ।

 

ଅଳ୍ପାୟୁ ବିଜୁଳି ଅଳ୍ପାୟୁ ବନ୍ୟା,

ଅଳ୍ପାୟୁ କୁସୁମ-କାନନକନ୍ୟା,

ଅଳ୍ପାୟୁ ସମ୍ପଦ, ମଳୟ ବାୟୁ,

ଅତି ଶବଦଟି ଅତି ଅଳ୍ପାୟୁ ।

 

ଘର କଳି ଘର ଭିତରେ ଭାଞ୍ଜ,

ପଦାକୁ କାଢ଼ିଲେ ପାଇବ ଲାଜ ।

କଳାମେଘ ଯାଏ ପଂସର ଫାଟି,

ପାଣି ଢାଳିଦିଏ ପାଣ୍ଡୁରିଆଟି ।

 

ଆଗେ ଆପଣାକୁ କହେ ଯେ ବାବୁ,

ବାବୁ ନୁହେଁ ସେଟା ବାବୁର ଆବୁ ।

ପର ଲୁଗା ପିନ୍ଧି ଛାତି ଫୁଲାଇ,

ଝିଟ, ବଡ଼ପଣ ହୁଏ ଦେଖାଇ ।

 

ପିଠଉ ଗାରକୁ ନ ମିଳେ ଚୂନା,

ନାଇବାକୁ ଶାଧ କାନରେ ସୁନା ।

ଅମ୍ବିକା କାଞ୍ଜିରେ ନ ପଡ଼େ ଲୁଣ,

ପର ଘରେ ଲୋଡ଼ା ପନ୍ଦର ତୁଣ ।

 

ଏ ମୁହଁରେ କଥେ ସେ ମୁହେଁ କଥେ,

ତାହା ଭରସାରେ ବସିଥା ପଥେ ।

ମଦୁଆ ଧରିଛି ମଦତି ହାତ,

ବିଛୁଆତି ବାଇଡ଼ଙ୍କ ସଙ୍ଗାତ ।

 

ଅତି ଆଜ୍ଞାବନ୍ତ ଥିରିତୁଣ୍ଡିଆ,

ପଛଆଡ଼େ ଥାଇ ମାରେ ମୁଣ୍ଡିଆ ।

କଳି ନ ପାଇଲେ କଳିତୁଣ୍ଡେଇ,

ହେଉଥାଏ ତାର ଜିଭ କୁଣ୍ଡେଇ ।

 

ସ୍ୱଭାବ ଚରିତ୍ର ଉନ୍ନତ କର,

ଲଭିବ ବିଶ୍ୱରେ ଉଚ୍ଚ ଆଦର ।

 

କି ଲଜ୍ଜା ଖାଇଲେ ଶାଗପତର,

ଦାସବୃତ୍ତି କିନ୍ତୁ ବଡ଼ ଇତର ।

 

ନ ମିଳୁ ପଛକେ ମଣ୍ଡା ଗଇଁଣ୍ଠା,

ନ ଚାଟ କୁକୁର ପରି ଅଇଁଣ୍ଠା ।

କ୍ଷିରୀ ପିଠା ସଙ୍ଗେ ନ ମିଳୁ ଭେଟ,

ହୀନ ବୃତ୍ତି ଧରି ନ ପୋଷ ପେଟ ।

 

ବଡ଼ ନୋହି ପଛେ ରହିବ ସାନ,

ହରାଇବ ନାହିଁ ଆତ୍ମସମ୍ମାନ ।

ନ ମିଳୁ ପଛକେ ବଡ଼ ଚାକିରୀ,

ଆଶ୍ରାକର ଯାଇ ଖେତ କିଆରୀ

 

ମାଟି-ମାଆ ଯେବେ ଦେବେଟି ବର,

କୁବେର ହୋଇବା କେତେ ମାତର ।

କୁହୁଡ଼ିରେ କାହିଁ ହରିବ ତୃଷା,

ମାଟି ମଞ୍ଜାରୀ କି ମାରିବ ମୂଷା ।

 

ମହାପୁରୁଷଙ୍କ ମୂର୍ତ୍ତି ଗୋଟିଏ,

କିନ୍ତୁ ମୃତ୍ୟୁ ପରେ ହୁଏ କୋଟିଏ ।

ତାଙ୍କ ଶୁଭାଦର୍ଶ ପ୍ରତିଭା-ବିତ୍ତ,

କୋଟି ହୃଦେ ହୁଏ ପ୍ରତିଫଳିତ ।

 

ଦେହଯାକ ମାରେ ତିଳକ ଛାପା,

ସେ ଏକା ଠକର ଗୋସାଇଁ-ବାପା ।

ବର କନ୍ୟା ପଣ ଛାଡ଼ି ଏଣିକି,

ପୁଅ ଝିଅ ମାଂସ ନ ଖାଅ ବିକି ।

 

ଚାଷ କର ନୂଆ ପ୍ରଣାଳୀ ଧରି,

ବି, ଏ, ଏମ୍, ଏ, ପାସ୍ ନୁହେଁ ତା ସରି ।

କଳାବିଦ୍ୟା ଘୋଷି ପୂଜ କମଳା,

କଳା ଛଡ଼ାଇବ ଦେଶରୁ କଳା ।

 

ବେପାର ବଣିକ ଲକ୍ଷ୍ମୀ-ନିବାସ,

ଚାଟୁଥାଅ ଧରି ବି. ଏସସି. ପାସ ।

 

ପାଠୁଆର ଘରେ କୋଟ କାମିଜ,

ମୁର୍ଖ ଘରେ ଥାଏ ଅସଲ ଚିଜ ।

 

ମହତ ପଛକେ ନ ହେଲ ନାହିଁ,

ଇତର ନ ହୁଅ ବୁଦ୍ଧି ହରାଇ ।

ବନ୍ଧୁ ନାହିଁ କେହି ସାହସ ସମ,

ଅତି ସାହସଟି ଅତି ବିଷମ ।

 

ମାଗି ଦଣ୍ଡବତ ଯାଚି କଲ୍ୟାଣ,

ଅମାନୀ ଲୋକର ଆତ୍ମବଡ଼ାଣ ।

କି ଫଳ ମୂଢ଼େ କହି ନୀତିବଚନ,

କି ଫଳ ଅନ୍ଧ ଆଗେ ଧରି ଦର୍ପଣ ।

 

ବାଣୀ, ଲକ୍ଷ୍ମୀ ମହିମା ସବୁଠୁଁ ବଳେ,

ଭାଷା ଓ ପଇସାରେ ସଂସାର ଚଳେ ।

ଗଣେଶ ବାହନ ଚୁଟିଆ ମୂଷା,

ବିରାଡ଼ି ଦେଖିଲେ ଉଞ୍ଚାଏ ଭୁଷା ।

 

ବଡ଼ଲୋକ ଆଶ୍ରା କରି ଯେ ଥିବ,

ସେ କିପାଁ କାହାକୁ ଡରି ମରିବ ।

ଶିବଙ୍କ ବାହନ ହେବାରୁ ଷଣ୍ଢ,

ଧାଏଁ ସେ ସିଂହକୁ ଦେବାକୁ ଦଣ୍ଡ ।

 

ଗରୁଡ଼କୁ ଫଣା ଟେକନ୍ତି ସର୍ପ,

ପ୍ରଭୁଯୋଗୁଁ ବଢ଼େ ସେବକ ଦର୍ପ ।

ଅକର୍ମା କପାଳେ ନାହିଁ ମଙ୍ଗଳ,

ଶିବ ବର ତାହା ଭାଗ୍ୟେ ବିଫଳ ।

 

ଭାଗ୍ୟସୂର୍ଯ୍ୟ ଆସେ ଯେ କାଳେ ବୁଡ଼ି,

ଟଙ୍କା ସୁନା ହୁଏ ଖପରା ଗୁଡ଼ି ।

ସବୁ କଥାରେ ଯେ ‘‘ଆଜ୍ଞା-ହଁ’’ କୁହେ,

ପ୍ରତିଧ୍ୱନି ସେଟା-ମନୁଷ୍ୟ ନୁହେଁ ।

 

ଅପାତ୍ରରେ ନୀତିଶିକ୍ଷା ନ ଦିଅ,

ବେଙ୍ଗ ପେଟେ ଜୀର୍ଣ୍ଣ ନ ହୁଏ ଘିଅ ।

 

ଖଳ ହେଉ ପଛେ ଆକାରେ କ୍ଷୁଦ୍ର,

ପେଟଟି ତାହାର ମହାସମୁଦ୍ର ।

 

ଦୁମୁଣ୍ଡିଆ ସାପ ଖଳ ଦୁର୍ଜନ,

ଦୁଇ ମୁହଁରେ ସେ କରେ ଦର୍ଶନ ।

ସାହସୀ ନ କରେ କାହାକୁ ଶଙ୍କା,

ଭାଙ୍ଗିଯିବ ପଛେ ନ ହୁଏ ବଙ୍କା ।

 

ଆଗେ ଶିଖ ମାତୃଭାଷା,

ସାଫଲ୍ୟ ଭଜିବ ଆଶା ।

 

ତରୁଣର ତପ୍ତ            ଶକ୍ତି ସଙ୍ଗେ ମିଶି

ବୃଦ୍ଧର ସୁପକ୍ୱ ଜ୍ଞାନ,

ଅସାଧ୍ୟ ସାଧନେ            ଦକ୍ଷ ହୁଏ ଯଥା

ବହ୍ନି ସଙ୍ଗେ ପବମାନ ।

 

ଘୁଷୁରି ଦେହରେ            ଚନ୍ଦନ ଲେପିଲେ

ପଙ୍କେ ଲଟପଟ ହେବ,

ଶିଳପତାଟାକୁ            ଯେତେ ପୂଜା କଲେ

ହେବ ନାହିଁ ମହାଦେବ ।

 

ବିରାଡ଼ି ତୁଣ୍ଡରେ            ନବାତ ଗୁଞ୍ଜିଲେ

ଫିଙ୍ଗିଦେବ ଥୁ-ଥୁ କରି,

ପଚାମାଛ ମେଞ୍ଚେ            ପାଇଲେ ଖାଇବ

ଆଦରେ ଉଦର ଭରି ।

 

ବଡ଼ଲୋକ ବୋଲି            ନ କହନ୍ତୁ ପଛେ

ଦେଶବନ୍ଧୁ ଜାତି ଭାଇ,

କୁକୁର ପରାଏ            ବଡ଼ଲୋକ ପଛେ

ଲୁଙ୍ଗୁପୁଙ୍ଗୁ ହୁଅ ନାହିଁ ।

 

ନୀତି ଉପଦେଶ            ସଂସର୍ଗେ ମତ୍ସରୀ

ନ ଛାଡ଼େ ନିଜ ସ୍ୱଭାବ,

ଦୁଧ, ମହୁ ମଧ୍ୟେ            ବୁଡ଼ାଇ ରଖିଲେ

ସାଲମା ହେବ କି ଆମ୍ବ ।

 

ଯେତେ ବୁଝାଇଲେ            ଅଣବୁଝା ଜନ

ନ ଘେନେ ଶୁଭ କାମନା,

ତୁହାଇ ତୁହାଇ            ପୁଟ ଦେଉଥିଲେ

ପିତଳ ହେବ କି ସୁନା ।

 

ମାଜିଲେ ମାଠିଲେ            ପୋଛିଲେ ଦୁର୍ଜନ

ସ୍ୱଭାବ ନ ହୁଏ ଦୂର,

କର୍ପୁର ଗଦାରେ            ପୋତି ରଖିଲେ କି

ଗେଙ୍ଗୁଟି ହେବ କର୍ପୂର ।

 

କିଏ ଜାଣିଥିଲା            ଚହଟ ସୁନ୍ଦର

ସଂସାର ଏଡ଼େ ପିଶୁନ,

ନବନୀତ ଜ୍ଞାନେ            ଦୁର୍ବିପାକ ବଶେ

ଖାଇଦେଲି କଲି ଚୂନ ।

 

ଦମ୍ଭୀ ଅତ୍ୟାଚାରୀ            ମଦଗର୍ବେ ଭାବେ

ଲୁହାରେ ଗଢ଼ା ତା ମୁଣ୍ଡ,

ଜାଣେ ନାହିଁ ମୂଢ଼            ଦିନେ ସେହି ମୁଣ୍ଡ

କାଳଦନ୍ତେ ହେବ ଗୁଣ୍ଡ ।

 

ନିତି କେତେ ଲୋକ                  ମରୁଛନ୍ତି ତେଜି

ମାଟିଘର ମାଟିଘର,

କି ଆଶ୍ଚର୍ଯ୍ୟ, ଏହା            ଦେଖି ସୁଦ୍ଧା ନର

ନିଜକୁ ମଣେ ଅମର ।

 

ମୋହମଦେ ଘାରି            ବିଚାରୁଛି ମୁହିଁ

ଯାହାକୁ ଅମୃତ ବୋଲି,

ଜାଣି ଜାଣୁ ନାହିଁ            ମାୟା ଅମୃତ ସେ

ବିଷରେ ହୋଇଛି ବୋଳି ।

 

ରସନାଟି ମୋର            ବଡ଼ ଅରସିକ

ବାରି ଜାଣେ ନାହିଁ ରସ,

ହରିପ୍ରେମ ରସ            ଛାଡ଼ି ସେ ଅଧମ

ଚଷୁଛି ଆମ୍ବ ପଣସ ।

 

 

ସାଧୁ ସୁଜନଙ୍କ            ଅନ୍ତର ପରାୟେ

ଅଟେ ନାରିକେଳ ଫଳ,

ବାହାର ଶୁଖିଲା            ଭିତରରେ ଥାଏ

ମଧୁର ଶୀତଳ ଜଳ ।

 

ମୃତ୍ୟୁ ମାନବର            ଅମୃତ ଜୀବନ

ତାକୁ କିପାଁ ଏତେ ଡର,

ନବ ଅଳଙ୍କାର            ପିନ୍ଧିବାକୁ କେହି

ହୁଏ କି କେବେ କାତର ।

 

ରତ୍ନ ପଞ୍ଜୁରୀରେ            ଦୁଧସର ଖାଇ

କୁଆଟା ହେବ କି ଶୁଆ,

ସୁବର୍ଣ୍ଣ କେଶର            ଗୁଞ୍ଜି ହେଲେ ହେବ

ଭୁଆଟା କି ସିଂହଛୁଆ ।

 

ଜୀବନଟାଯାକ            ସୁଖ ଖୋଜି ଖୋଜି

ନ ମିଳିଲା ସୁଖ ଭେଟ,

ଜନମ କାଳରୁ            ଖାଇ ଖାଇ ତେବେ

ନ ପୂରିଲା ପୋଡ଼ା ପେଟ ।

 

ଜୀବନ ଗୋଟାଏ            ମାଦକର ନିଶା

ଦଣ୍ଡକେ ଯିବ ସେ ତୁଟି,

ଅବୋଧ ମାନବ            ନିଶ୍ଚିନ୍ତ ରହିଛି

କାଳହାତେ ଦେଇ ଚୁଟି ।

 

ପରର ଜୀବନ            ଶୋଷି ଖାଏ ଯେହୁ

ପରକାନ୍ଧେ ଦେଇ ଭାର,

ମନୁଷ୍ୟ ନୁହେଁ ସେ            ଗଛର ମଲାଙ୍ଗ

ନିର୍ଲ୍ଲଜ୍ଜ ଜୀବନ ତାର ।

 

ଭୀରୁ ନିର୍ବୁଦ୍ଧିଆ            କାପୁରୁଷ ମଣେ

କୁହୁଡ଼ିକୁ ନଈବଢ଼ି,

ଭେକରଡ଼ି ଶୁଣି            ଚମକି ପଡ଼େ ସେ

ମଣି ତାକୁ ଘଡ଼ଘଡ଼ି ।

 

 

ଅବୁଝା ନିଜର            ଅବିବେକପଣ

ପାରେ ନହିଁ କେବେ ଛାଡ଼ି,

ନଖରେ ଛିଡ଼ିବା            କୁଟାଖଣ୍ଡକୁ ସେ

ହାଣଇ ଘେନି କୁରାଢ଼ି ।

 

ମହ୍ୱତ ଜନର            ମହତ୍ୱ କେବଳ

ବୁଝନ୍ତି ମହତଜନ,

ଅନନ୍ତ ଧରାର            ଅନନ୍ତ ମହତ୍ୱ

ଜାଣେ ଅନନ୍ତ ଗଗନ ।

 

ମନେ ଦର୍ପ ବହି            ବିଳାସୀ ଭାବେ ମୁଁ

ଭୁଞ୍ଜୁଛି ସୁଖ ବିଳାସ,

ଜାଣେ ନାହିଁ ପରା            ବିଳାସ କାହାକୁ

କରି ସାରିଲାଣି ଗ୍ରାସ ।

 

ପର କଥା ଛାଡ଼ି ଭାବ ନିଜ କଥା,

ଦୂର ହେବ ଭବ ଦୁଃଖ ତାପ ବ୍ୟଥା ।

ଲାଗେ ଯା’ ତୁଣ୍ଡକୁ ପରନିନ୍ଦା ମିଠା,

ଅତି ଅସାର ସେ ମହୁଫଣା ସିଠା ।

 

ଦେଖାଏ ଯେ ଅତି ନିରୀହତା ଭାନ,

ବୁଝିବ ସେ ଭାରି ଚୁପ ସଇତାନ୍ ।

ପକ୍ୱରମ୍ଭା ଆମ୍ବ ଗୁଡ଼ ଖଜା ପିଠା,

ସବୁଠାରୁ ବଳି ମାତୃଭାଷା ମିଠା ।

 

ମାତୃକ୍ଷୀର ସ୍ୱାଦୁ ଅମୃତୁ ପ୍ରଚୁର,

ମାତ୍ର ମାତୃଭାଷା ତାଠାରୁ ମଧୁର ।

ପରସେବା ଛାଡ଼ି ନିଜ ଗୋଡ଼େ ଠିଆ,

ହୁଏ ଯେ ଜଗତେ ସେହି ବାହାଣିଆ ।

 

ମାନବ ଉପାଧି ବହନ୍ତି ସଭିଏଁ,

ପ୍ରକୃତ ମାନବ କୋଟିକେ ଗୋଟିଏ ।

ଦେଶାତ୍ମ ଜ୍ଞାନରେ ଗଢ଼ା ଯାହା ପ୍ରାଣ,

ଦେଶମାତାର ସେ ପ୍ରକୃତ ସନ୍ତାନ ।

 

 

ଶିଖିବ ଯଦ୍ୟପି ଶିଖ ପରଗୁଣ,

ପରଦୋଷ ବାଛି ହୁଅ ନାହିଁ ନ୍ୟୂନ ।

କେଉଁ ଫଳ ଗାଇ ପର ନିନ୍ଦା ଗୀତ,

ସେହି ସମୟରେ ଚିନ୍ତ ନିଜ ହିତ ।

 

ନ କର ପଛକେ ପର ଉପକାର,

ମାତ୍ର ଅପକାର ନ କର କାହାର ।

ପର ଅନିଷ୍ଟରେ କାଟିବା ସମୟ,

ନିଜ ସମୟରେ ସିନା ଅପବ୍ୟୟ ।

 

ପୋଡ଼ା ସଂସାରର ଏ ବିଷମ ରୋଗ,

ପାଏ ଯେ ସୁବିଧା ନ କରେ ସେ ଭୋଗ ।

ଚେଷ୍ଟା କରି ଯଶଧନ ଅର୍ଜଇ ବିଦୁଷ,

ବସିଥାଏ ଅଦୃଷ୍ଟକୁ ଚାହିଁ କାପୁରୁଷ ।

 

ଅଳସରେ ଦେହମନ ହୋଇଯାଏ କୁନ୍ଥା,

ଅଳସ ସଙ୍ଗରେ ଦୁଃଖ ହୋଇଥାଏ ଗୁନ୍ଥା ।

ମେଣ୍ଢାଯୁଦ୍ଧ, ଋଷିଶ୍ରାଦ୍ଧ ସକାଳିଆ ମେଘ,

ଦମ୍ପତି କଳହୁ ଆଣେ ଚିତ୍ତରେ ଉଦ୍‌ବେଗ

 

ଅତି ଅଳ୍ପ କାର୍ଯ୍ୟ ହୁଏ ଏହି ଗୁଡ଼ିକର,

ମାତ୍ର ବାହାରକୁ ଦିଶେ ବହୁଆଡ଼ମ୍ବର ।

ଏ ଚାରିଙ୍କ ସମକଚ୍ଛ କବିଙ୍କର କୋପ,

ସୋଲନିଆଁ ପରି ଭଜେ ମୁହୂର୍ତ୍ତେ ବିଲୋପ ।

 

ଦୂରୁ ଶୋଭାପାଏ ମୁର୍ଖ ପିନ୍ଧି ଲମ୍ବ ଯଥା,

କିନ୍ତୁ ଧରା ପଡ଼ିଯାଏ କହିଦେଲେ କଥା ।

ବୁଦ୍ଧିବଳଠାରୁ ବଳି ନାହିଁ ଆନ ବଳ,

ଜ୍ଞାନଠାରୁ ନାହିଁ ଆଉ ଆଲୋକ ଉଜ୍ଜ୍ୱଳ ।

 

ବିଦ୍ୟାଠାରୁ ବନ୍ଧୁ ନାହିଁ, ଦାନଠାରୁ ପୁଣ୍ୟ,

ଧର୍ମଠାରୁ ଧନ ନାହିଁ, ପାପଠାରୁ ଘୃଣ୍ୟ ।

ଦୟାଠାରୁ ବଳି କରି ବଡ଼ଗୁଣ ନାହିଁ,

ତ୍ୟାଗ, ସେବାଠାରୁ ବଳି ମହତ୍ତ୍ୱ ବା କାହିଁ ।

 

 

ଅକାତ ପାଣିରେ ରୋହି ଯାଏ ଧୀରେ ଧୀରେ,

କରାଣ୍ଡି ଦରାଣ୍ଡି ହୁଏ ଆଞ୍ଜୁଳେ ପାଣିରେ ।

ବିଦ୍ୱାନର ଥାଏ ନାହିଁ ଗର୍ବ, ଅହଙ୍କାର,

ଗର୍ବ ଏକା ଗଣ୍ଠିଧନ ଦରପାଠୁଆର ।

 

ଅସନ୍ତୁଷ୍ଟ ହେଲେ ଦ୍ୱିଜ ହୋଇଯାଏ ନଷ୍ଟ,

ନୃପତି ସନ୍ତୁଷ୍ଟ ହେଲେ ଭୁଞ୍ଜେ ଧନକଷ୍ଟ ।

ଲଜ୍ଜା କଲେ ଭୋଗେ ମରେ ବହୁତ ଆହାରୀ,

ନିର୍ଲଜ୍ଜ ହୋଇଲେ ନଷ୍ଟ ହୁଏ କୁଳନାରୀ ।

 

ପଇସା ପ୍ରଶଂସା ପ୍ରାଧାନ୍ୟ,

ତିନି ‘‘ପ’’ ଭାରି ଗୁମାନ ।

ଜଳ ପିଇସାରି ଦେଲେ କିଞ୍ଚିତ ନିଗାଡ଼ି,

ବାକି ଜଳର ଉଚ୍ଛିଷ୍ଟ ଦୋଷ ଯାଏ ଛାଡ଼ି ।

 

ମାଛିର ଅଇଁଣ୍ଠା ମହୁ, ବାଛୁରୀର ଦୁଧ,

ଦେବତାଙ୍କ ଭୋଗେ ଲାଗେ ତାହା ଚିରଶୁଦ୍ଧ ।

ଭୋଗରେ ବସିଲେ ମାଛି ନୁହେଁ ତା ଅଶୁଦ୍ଧ,

ଶାସ୍ତ୍ରସିଦ୍ଧ କଥା ଏହା କହିଛନ୍ତି ବୁଧା ।

 

ଶକ୍ତି ଗଲେ ଚୋର ହୁଏ ସାଧୁ ବ୍ୟବହାରୀ,

ଅତ୍ୟାଚାରୀ ବୁଢ଼ା ହେଲେ ହୁଏ ତପଚାରୀ,

ରୋଗୀ ହେଲେ ଦେବତାଙ୍କୁ ଭକ୍ତି କରେ ନର,

ନାସ୍ତିକ ବିପଦବେଳେ ସୁମରେ ଈଶ୍ୱର ।

 

କନନୀକୁ ମାଡ଼ ମାରେ ଦୁଷ୍ଟ ମୁର୍ଖ ପୁଅ,

ଝରେ କିନ୍ତୁ ତାହା ଦୁଃଖେ ମାତୃନେତ୍ରୁ ଲୁହ ।

ନ ମଣ ଅଶକ୍ତ ନିଜେ ହୋଇ ଭୀତିଭକ୍ତ,

ମହାଶକ୍ତି ସୂତ କେବେ ନ ହୁଏ ଅଶକ୍ତି ।

 

କର୍ମକ୍ଷେତ୍ରେ ବୁଲି ବୁଲି ନ ହୁଅ ନିରାଶ,

କରୁଥାଅ ବାରମ୍ବାର ପ୍ରବଳ ପ୍ରୟାସ ।

ଧୈର୍ଯ୍ୟ ଧର ପ୍ରାପ୍ତ ହେବ ନିଶ୍ଚେ ପୁରସ୍କାର,

ସାଧୁ ଚେଷ୍ଟା ହୁଏ ନାହିଁ ବିଫଳ କାହାର ।

 

 

କ୍ଷେତ୍ର ନ ମିଳିଲେ ଆର୍ଦ୍ର କର ନାହିଁ ନେତ୍ର,

ନ ଘଟିଲେ ଆନ କ୍ଷେତ୍ର ଅଛି କୃଷିକ୍ଷେତ୍ର ।

ବେଳେ ପଛେ ଖାଅ ଅର୍ଜି ଗତର ଖଟାଇ,

କିନ୍ତୁ ଭିକ୍ଷାବୃତ୍ତିଠାରୁ ନୀଚ ବୃତ୍ତି ନାହିଁ ।

 

ଖାଇବୁ ମୋଟା ପିନ୍ଧିବୁ ମୋଟା,

ତୋଳିବୁ ତେବେ ଦୋତାଲା କୋଠା ।

କିଣି ପାରିବୁ ପୋଖରୀ, ତୋଟା,

ଚାଲିବୁ ସିଧା ନ ହେବୁ ଛୋଟା ।

 

ଆଜ୍ଞା ଆଜ୍ଞା କହି ଆଉଁଷେ କାନ,

ଜାଣିବ ସେଇଟା ମିଠା ସୈତାନ ।

କୁକୁର ପରାୟେ ପଛେ ଗୋଡ଼ାଇ,

ବଡ଼ଲୋକ କେହି ହୁଅନ୍ତି ନାହିଁ ।

 

ନୀଚ ଲୋକ ସଙ୍ଗେ ବେଭାର କିସ,

ବେଳକେ ଦେବ ସେ ଉପାଡ଼ି ନିଶ

କୁଟିଳ କୁଚକ୍ରୀ ଏକାଠି ଠିଆ,

ବାରୁଦ ସାଙ୍ଗରେ ମିଶିଲା ନିଆଁ ।

 

କଥାକେ ପକାଏ ଆଜ୍ଞା ଶହେଟା,

ପକା ତଣ୍ଟି କଟା ଜାଣିବ ସେଟା ।

ଖଳୁଆ, କଳିଆ ପୁଣି ଭେଷଡ଼,

କ୍ରୟ ସ୍ପର୍ଶ ଯୋଗ ଅଶୁଭ ବଡ଼ ।

 

କଥା ହାଙ୍କେ ଯେହ୍ନେ ନବାବ ବେଟା,

ତୁଚ୍ଛା ଶୂନ୍ୟଘଟ ଜାଣିବ ସେଟା ।

ବୋଝେ ଦାନ୍ତ ମେଳି ବୃଥାରେ ହସେ,

ବାଳୀ ସୁଗ୍ରୀବଙ୍କ ବଂଶଧର ସେ ।

 

ବାଟ ଚାଲୁଁ ଚାଲୁଁ ମାରେ ଉକୁଣି,

ସୁର୍ପଣଖାର ସେ ସାନ ଭଉଣୀ ।

ଧୋବଧୋବଳିଆ ଭାରି ହୁଗୁଳା,

ଧୂଳିଆ ସଞ୍ଚଇ ଟଙ୍କା ବୁଜୁଳା ।

 

 

ତୀର୍ଥରେ ବୁଲିବି କେଉଁ ନିମିତ୍ତ,

ମୋର ମାତୃମହୀ ମୋ ପୁଣ୍ୟତୀର୍ଥ ।

ମାତା ନିନ୍ଦେ, କରେ ନାହିଁ ଆଦର ପ୍ରକାଶ,

ପିତା ଭ୍ରାତା ନ କରନ୍ତି କିଞ୍ଚିତ ସମ୍ଭାଷ,

 

ଭୃତ୍ୟ ରାଗେ, ଅନୁଗତ ନ ହୁଏ ତନୟ,

ଧର୍ମପତ୍ନୀ ସୁଦ୍ଧା କରେ ଘୃଣା ଅତିଶୟ,

କାଳେ କିଛି ଅର୍ଥ ମାଗେ ଏହି ଆଶଙ୍କାରେ,

ସୁହୃଦ ବି କହେ ନାହିଁ କଥା ପଦେ ବାରେ

 

ପ୍ରିୟସଖେ, ଲଭ ସେହି ଅର୍ଥ ଅର୍ଜି ଯଶ,

ଜାଣିଥାଅ ବନ୍ଧୁ ସର୍ବେ ଅର୍ଥରେହିଁ ବଶ ।

ଖାଇବାକୁ ନାହିଁ ଅଲଣା ଜାଉ,

ପଚାରି ବୁଲୁଛି ସୁନାର ଭାଉ ।

 

ଆପଣା ଗୋଡ଼ରେ ନ ହୋଇ ଛିଡ଼ା,

ପରକୁ କାହିଁକି ଦାନ୍ତନିଫିଡ଼ା ।

କୁଣ୍ଡାଚକୁଳି କି ନିନ୍ଦୁଛୁ ପରା,

ସରି ନୁହେଁ ତାର ପୁରି କାକରା ।

 

ନିଆଁରେ ପୋଡ଼ିଲେ ଚିହ୍ନାଯାଇଟି,

କିଏ ଖାଣ୍ଟି ଆଉ କିଏ ଗିଲଟି ।

ପରପେଟୁଁ କତା ବାହାର କରି,

ହାଟରେ ବିଞ୍ଛୁଡ଼େ ଦୁଷ୍ଟ ମତ୍ସରୀ ।

 

କଥାରେ ପକାଇପାରେ ଯେ ସର,

ଥାଏ ତା ପେଟରେ ତୁଚ୍ଛା ଜହର ।

ବଡ଼ ହିତ କରେ ଦେହକୁ ଖୁଦ,

ରଖିଦେ ତୋର ସେ ଘିଅ ଓ ଦୁଧ ।

 

ଦୁଧ ପୋଡ଼ାପିଠା ବାଲିଆ ଗୁଡ଼,

ଆଉ ଜଳଖିଆ ଗାଲେ ଚାପୁଡ଼ ।

ଲୁଣ ଟିକାଟାକୁ ନ ଅଣ୍ଟେ ଭାତ,

ଘୋଡ଼ିବାକୁ ଲୋଡ଼େ ଶାଲ ବନାତ ।

 

 

କିଣା ହୋଇ ନାହିଁ ଯା ନାମେ ଖଡ଼ି,

ଚାଲିଛି ସେ ହାତୀଘୋଡ଼ାରେ ଚଢ଼ି ।

ପଣ୍ଡିତ ସୁଅର କପାଳ ପୋଡ଼ା,

ଶ୍ଲୋକ ଘୋଷି ଘୋଷି ମରେ ବାପୁଡ଼ା ।

 

ଚୂଲୀ ସଂସାରର ଏ ନିଆଁ ଧାରା,

ବାଛିବାକୁ ନାହିଁ କାହରି ଚାରା ।

କୁଣ୍ଡାକୁ ନ ମଣ ତୁଚ୍ଛାରେ ହୁଣ୍ଡା,

ସେହି କରିବ ତୋ ଗଣ୍ଡିକି ଭୁଣ୍ଡା ।

 

ହାଉ ହାଉ ହୋଇ ଜଳୁଛି ପେଟ,

କିସ ହେବ ବାନ୍ଧି ମଥାରେ ପାଟ ।

ଖଳ ଲୋକ ଛିଞ୍ଚି ଅଗରେ ପାଣି,

ଗୋପନରେ ଚେର ପକାଏ ହାଣି ।

 

ନୁଖୁରାମୁଣ୍ଡିଆ ଶୁଖିଲାମୁହାଁ,

କୁବେର ସମ୍ପତ୍ତି ତା ଘରେ ଥୁଆ ।

ବାସିଲୁଗା ପିନ୍ଧା ବଚନ-ବୀର,

ସେ ଏକା ଫକଡ଼ ବୁଲାଫକୀର ।

 

ଯୋଗ୍ୟତା, ପ୍ରତିଭା, ବୁଦ୍ଧି, ମନୀଷା,

କେହି କିଛି ନୁହେଁ ବଡ଼ ପଇସା ।

ପରଧନ ଛିଦ୍ର ନିଜ ପ୍ରତିଷ୍ଠା,

କାହା ଜିଭକୁ ବା ନ ଲାଗେ ମିଠା ।

 

ଅରଟର ଯେଉଁ କେଁ କଟର,

ଆମ ଜାତିର ସେ ମୁକ୍ତି ମନ୍ତର ।

ଚିରିଯାଏ କଳ ଲୁଗା ଦି ମାସେ,

ହାତବୁଣା ଲୁଗା ପିନ୍ଧ ବରଷେ ।

 

ସରୁ ପଛେ ହେଉ ନୟନ-କାରା,

ମାତ୍ର ମୋଟା ଆମ ଦେଶର ଧାରା ।

ସ୍ଥାୟୀ ଶକ୍ତ ଚିଜ ଲୋଡ଼େ ଓଡ଼ିଆ,

ନ ଭୁଲେ ଦେଖଇ ସେ ରଙ୍ଗଢ଼ଙ୍ଗିଆ ।

 

 

ଦେଖି ଚାହିଁ ଦେଶୀ ପଦାର୍ଥ କିଣ,

ବଇଁନ୍ତିରି ଯିବ ବହୁତ ଦିନ ।

ଚଟକ ଝଟକ ଦିଦିନ ଜାଣ,

ମୋଟା ଖଭରିଆ ସବୁଠୁଁ ଟାଣ ।

 

ଚକଚକ ଯିବ ଘଡ଼ିକେ ଉଡ଼ି,

ତା ଲାଗି ସାରିବୁ କିପାଁ କଉଡ଼ି ।

ଶିଳ୍ପେ ଆମ ଜାତି ବିଶ୍ୱେ ଅତୁଳ,

ପ୍ରମାଣ କୋଣାର୍କ ପୁରୀ ଦେଉଳ ।

 

ସରୁ କୁଟି କମ ଆମର ଦେଖି,

ଲାଜେ ବିଶ୍ୱକର୍ମା ବୁଜନ୍ତି ଆଖି ।

କେଉଁ ଚିଜ ଆମ ଘରେ ବା ନାହିଁ,

କାହିଁକି ରହିବା ବିଦେଶେ ଚାହିଁ ।

 

ଦେଶୀୟ ପଦାର୍ଥ କଲେ ଆଦର,

ଲଭିବ କଲ୍ୟାଣ ଦେଶମାତାର ।

ଯାହାକୁ ସଦୟ ସୌଭାଗ୍ୟ ଦେବ,

କେଉଁ କଥା ତାକୁ ଅପୂର୍ବ ହେବ ।

 

ଆମ ଘର ସିନା ଆମେ କରିବା,

ପରକୁ କାହିଁକି ମାନ ମାରିବା ।

ରୁଷି ବସି କଲେ ପରକୁ ମାନ,

ସ୍ୱାଦ ଲାଗିବ କି ଅଲଣା ତୁଣ ।

 

ରଗଡ଼ା ଗାମୁଛା ଖଦିଚାଦର,

ଜାତି ପରିଚ୍ଛଦ ସିନା ଆମର ।

ଆମ ଦେଶ ଦ୍ରବ୍ୟ ପ୍ରିୟ ଆମର,

ନ ହେଉ ପଛେ ତା’ ଦେଖା-ସୁନ୍ଦର ।

 

ବିଦେଶର ସୁନା ସ୍ୱଦେଶ ଧୂଳି,

ଦୁହେଁ ଏକା, ବୁଝ ତୁଳରେ ତୁଳି ।

ବିନା କାରଣେ ଯେ ହୁଏ ନେହୁରା,

ବଡ଼ ସିଆଣା ସେ ଚେଙ୍ଗଚତୁରା ।

 

 

ପ୍ରବଳର ସବୁ ଦିଗ ମୁକୁଳା,

ଦୁର୍ବଳକୁ କହେ ପୁଅ ମଉଳା ।

ଅଛବକୁ ଦୂରୁ କହୁ ଯା ପଳା,

ଅଛବ ଦେହର ରକ୍ତ କି କଳା ।

 

କହନ୍ତାର ବାଣୀ ବହନ୍ତା ପାଣି,

ବହିଯାଏ ଫେରେ ନାହିଁ ଉଜାଣି ।

ଦେବତ୍ୱରୁ ବଳେ ଅର୍ଥ ମହତ୍ୱ,

ଅର୍ଥପଦେ ବନ୍ଧା ସାରା ଜଗତ ।

 

ଥାଉ ପଛେ ଶିରେ ରାଜେନ୍ଦ୍ର ଟିକା,

ଘାସମଞ୍ଜି ପଦେ ଜୀବନ ବିକା ।

କାଞ୍ଜି ପେଜ ପିତା ମାଣ୍ଡିଆ ଜାଉ,

ଆଦର କଲେଟି ବଢ଼ଇ ଆୟୁ ।

 

ମେଡ଼ୁଆ ମାଙ୍କଡ଼ ଉଲେଇ ଗାଈ,

ଖୁଅ ନ ଛାଡ଼ନ୍ତି କହୁଣୀ ଖାଇ ।

ବଇଦ, ଗୁଣିଆ, ଅଳିଆ, ଚାଷ,

ଏ ତିନିଙ୍କି କେବେ ନାହିଁ ବିଶ୍ୱାସ ।

 

କରିବୁ ଯେବେ ରେ ମାଲିମାମଲା,

ଜାଣିବୁ ସେ ଦିନ ତୋ ମାଆ ମଲା ।

କୁକୁରଟାକୁ ଯେ ଆଦର କରେ,

କୁକୁର ପଶେ ତା ହାଣ୍ଡିଶାଳରେ ।

 

ଖଳ ବନ୍ଧୁତାକୁ ମଣେ ଯେ ମିଠା,

ପୁରସ୍କାର ତାର ବିଧା ଗୋଇଠା ।

ଚରିତ୍ରହୀନ ଯେ ସେ ଅଲକ୍ଷଣା,

ପଣ୍ଡିତ ହେଲେ ବି ପାଷଣ୍ଡେ ଗଣା ।

 

ତୁ ବୋଲୁ ମୋହର ଘରଦୁଆର,

ସେ କହନ୍ତି ଆମେ ନୋହୁଁ କାହାର ।

ଭାତ ବରତନ କିଛି ନ ପାଉ,

ଘୋଡ଼ା ଆଗେ କିପାଁ ଦୁଉଡ଼ୁ ଆଉ ।

 

 

ବିଦ୍ୟାରେ ପଛକେ ହୁଅ ତ୍ରିପାଠୀ,

ସାଧୁତା ନ ଥିଲେ ସକଳ ମାଟି ।

ଧର୍ମରେ ବିଶ୍ୱାସ ନ ଥିଲେ ଯୋଡ଼ା,

ଜ୍ଞାନୀ ଜ୍ଞାନଯାକ ଚୁଲୀକି ଲୋଡ଼ା ।

 

ନାହିଁ କଲିକତା ସହରେ ରାତି,

ପୁରୀଧାମେ ନାହିଁ ଜାତି ଅଜାତି ।

ଜାତି ଜାତି କହି ଫୁଲାଉ ଛାତି,

ଜାତିଟି ଆମର ଗୁଣ୍ଠୁଣି ହାତୀ ।

 

ଜ୍ଞାନ ଗୁଣ ନାହିଁ ମରେ ହୁଙ୍କାରି

ଖାଲି କଳସୀର ଗର୍ଜନ ଭାରି ।

ନିତି ଯେ ଶୁଣୁଛି କମାଣଧ୍ୱନି,

ଡରେ କି ସେ କୁଲା ଢାଁ ଢାଉଁ ଶୁଣି ।

 

କରିବାକୁ ନାହିଁ କାହା ସାହସ,

ବାଛିବାକୁ ଛନ୍ତି ବହୁ ପୁରୁଷ ।

ପେଟକୁ ନ ଦେଇ ପହ୍ନାରୁ ଦୁହଁ,

ଦୁଧ ନୁହେଁ ତାହା-ଗାଈର ଲୁହ ।

 

ଝିଅମାଂସ ବିକେ କଁସେଇ ବାପ,

ତା ନାମ ଧଇଲେ ଅଶେଷ ପାପ ।

ନାହିଁ ଯେବେ ଭକ୍ତି କାହିଁ ଛି ମୁକ୍ତି

କେଉଁ ଫଳ କଲେ ସହସ୍ରେ ସ୍ତୁତି ।

 

ପୁରୁଷକୁ ବହୁ ବିବାହ ମାଫ୍,

ନାରୀ ପକ୍ଷେ କିପାଁ ଭୀଷଣ ପାପ୍ ।

ଏକାଦଶୀ କରି ବାଳବିଧବା,

ମରୁ ପଛେ କିଛି ନାହିଁ ପରବା ।

 

ବାପ ମାଆ ଆଉ ଭାଇ ଭାଉଜ,

ମାଛଭାତ ଖାଇ କର ମଉଜ ।

ବାଳବିଧବାର ଅଗ୍ନିନିଃଶ୍ୱାସେ,

ଭସ୍ମ ହୋଇ ଉଡ଼ିଯିବ ଛମାସେ ।

 

 

ଅଲେଳ ଶିଶୁ ସେ ନ ଜାଣେ କିଛି,

ତାକୁ ବିଭାଦେଲେ କି ଦୋଷ ଅଛି ।

ନାତିଦେଖା ସାଧ ନ ମେଣ୍ଟୁ ପଛେ,

ବିଭା ନ କରାଅ ବାଳୁତ ବତ୍ସେ ।

 

ସାତ ବରଷର ଶିଶୁ କନିଆଁ,

ବୁଢ଼ାବର ଦେଖି ହୁଏ ଛାନିଆଁ ।

ଭାବେ ଏଟା ମୋର ଜେଜେ ନା ଅଜା,

ପୋଡ଼ା ସମାଜର ଏ ଖାସା ମଜା ।

 

ବିଶାଶେ ବର୍ଷର କଅଁଳ ବର,

ଦେଖି କନିଆଟି ହୁଏ କାତର ।

ଜୁଇଁର ଉମର କେ ଯେବେ ଲୋଡ଼ି,

ଶଶୁର କହନ୍ତି ଜମା ଛକୋଡ଼ି ।

 

ଝିଅ ପଛେ କାଲି ବିଧବା ହେଉ,

ଟଙ୍କା ବୁଜୁଳାଟି ଫେରି ନ ଯାଉ ।

ବୁଢ଼ା ଟୋକୀ ବିଭା ସମାଜେ ସାଜେ,

ବୁଢ଼ୀ ଟୋକାବେଳେ ଡେଙ୍ଗୁରା ବାଜେ ।

 

ପେଟ ଯେବେ ଆଣ୍ଟେ ଧରିବ ଟାଣି,

ଖାଇବ ମରିଚ ଗରମ ପାଣି ।

ପେଟର ଯେ କିଛି ହେଲେ ଦୁର୍ଗୁଣ,

ଅଦାରେ ଲଗାଇ ଖାଇବ ଲୁଣ ।

 

ପେଟ କାଟୁଥିବ ଯେବେ ନିଠାଇ,

ପିଅ ଛେଳିଦୁଧେ ମୁଆ ସିଝାଇ ।

ଚନ୍ଦନେ କର୍ପୁର ମିଶାଅ ଅଳ୍ପ,

ମୁଣ୍ଡ-ବିନ୍ଧାର ସେ ଉତ୍ତମ ଲେପ ।

 

ଧ ଅକ୍ଷରର ଅର୍ଥ ନ ଜାଣେ,

ଅଧମ, ସଭାରେ ଧର୍ମ ବଖାଣେ ।

ଖାଏ ନା ଖୁଆଇ ଦିଏ ମତ୍ସରୀ,

ବଇଞ୍ଚି ଖଡ଼ାର ତେରଣ୍ଡା ପରି ।

 

 

ନିତି ରାମାୟଣ ଭାରତ ପଢ଼,

ତେବେ ଯାଇ ସିନା ହୋଇବ ବଡ଼ ।

ପଢ଼ିଲେ ଜାତୀୟ ଶାସ୍ତ୍ର ପୁରାଣ,

ମନପ୍ରାଣ ହୋଇଉଠେ ମହାନ ।

 

ଡାଲି ଭାତ ଘିଅ ଲେମ୍ବୁ ଓ ଲୁଣ,

ସରି ନୁହେଁ ତାର ସହସ୍ରେ ତୁଣ ।

ଯେତେ କର ପଛେ ହାତ-ଆଉଁଷା,

ପଇସା ଆଗରେ ନାହିଁ ମଉସା ।

 

ବେଉସା ନ ଚଳେ ନ ଦେଲେ କାଳୀ,

ମଠୁଆ ନ ଚଳେ ନ ଦେଲେ ଗାଳି ।

ଅବସ୍ଥାକୁ ବଳି ଫିଟିଲେ ଦାନୀ,

ଶେଷେ ବାରଦ୍ୱାରେ ପାତିବ କାନି ।

 

ହୀନ ଖୋସାମତେ ଉଠେ ଯେ ଫୁଲି,

ଛଦିନେ ନ ଜଳେ ତା ଘରେ ଚୁଲୀ ।

ଆୟକୁ ନ ଚାହିଁ ପଶାରେ ହାତ,

ଅଭାବ ତାହାର ପ୍ରିୟ ସଙ୍ଗାତ ।

 

ପରସୁଖ ଦେଖି ଶୁଖାଏ ମୁହିଁ,

ଦୁର୍ଯ୍ୟୋଧନର ସେ ମାଉସୀ ପୁଅ ।

ଠକାଇବାଠାରୁ ଠକିବା ଭଲ,

ନ ଶିଖାଇ ଶିଖ, ବଢ଼ୁ ଅକଲ ।

 

କ୍ଷମାଠାରୁ ନାହିଁ ମହତ ଗୁଣ,

ଦାନଠାରୁ ବଳି କି ଅଛି ପୁଣ୍ୟ ।

କଷ୍ଟ ଦେଇ ଦାନ କଲେ କି ଫଳ,

ନ ଦେବା ବରଞ୍ଚ ସବୁଠୁ ଭଲ ।

 

ଇତର ସ୍ତବେ ଯେ ଯାଏ ମିଳାଇ,

କାହାଠାରୁ ବଳି ଇତର ନାହିଁ ।

ଯେଉଁ ବାଗେ ରଖ ଭଲ ବା ମନ୍ଦ,

ବିସ୍ତାରିବ ଫୁଲ-ଶୋଭା ସୁଗନ୍ଧ ।

 

 

ସ୍ୱଭାବ ଯାହାର ଖୁଣ୍ଟୁଖୁଣ୍ଟିଆ,

ରୋଗ ହୁଏ ତାର ନିତି କୁଣିଆ ।

ସାଧୁ ସନ୍ତାନ ବି ଅସାଧୁ ହୁଏ,

ଗଙ୍ଗା ମାଛଟା କି ଆଇଁଷ ନୁହେଁ ।

 

ମନ ଇଚ୍ଛା ଯେବେ ପିନ୍ଧିବୁ ଲୁଗା,

କପା କେତେ ଗଛ ବାଡ଼ିରେ ଲଗା ।

ଦେଶକୁ ପଇସା ଦେଲେ ଗୋଟିଏ,

ଫେରି ଆସିବ ସେ ହୋଇ କୋଟିଏ ।

 

ଶୁଝି ନୁହେଁ ଶାଗ ପଖାଳ ଋଣ,

ଦୁଧଘିଅଠାରୁ ବଳେ ତା’ ଗୁଣ ।

ଆମ ପିଣ୍ଡ ପ୍ରାୟ ପଖାଳେ ଗଢ଼ା,

ତାହାକୁ ଯେ ନିନ୍ଦେ ସେ ଲକ୍ଷ୍ମୀଛଡ଼ା ।

 

କେ ଅଛି ପଖାଳ ଶକ୍ତି ନ ଜାଣି,

ଗଙ୍ଗା ଗୋଦାବରୀ ଥିଲା ସେ ଜିଣି ।

ଛି ଛି ଆମ୍ଭେମାନେ ବଡ଼ ନିରୁଣା,

ଘର ପଦାର୍ଥକୁ କରୁଛୁଁ ଘୃଣା ।

 

ଆପଣା ଘରକୁ ଆପେ ସୁନ୍ଦର-

ନ କଲେ କି ତାହା କରିବ ପର ।

ଦେଶର ମଙ୍ଗଳ ଯଦ୍ୟପି ଇଚ୍ଛ,

ଦେଶୀ ମୋଟା ଦ୍ରବ୍ୟେ ନ ମଣ ତୁଚ୍ଛ ।

 

ଦେଶୀୟ ପଦାର୍ଥ କର ଆଦର,

ସେ ସିନା ପୈତୃକ-ଧନ ଆମର ।

ନାହିଁ ଯାର ତିଳେ ଦେଶ ମୁଆଁସ,

ପୋଡ଼ିଯାଉ ତାର ସୁନା ଉଆସ ।

 

ପରଗାଈଦୁହାଁ ଆଗତକୁହା,

ଘଡ଼ିକେ ଛ ଘରେ ଲଗାଏ ନିଆଁ ।

ଡେଇଁ ଡେଇଁ ଗଲେ ବାଟେ ଖପରା,

ସବୁ ଅନାଚାର ତା ଦେହେ ଭରା ।

 

 

ପେଟ ପଛେ ଯାଉ ଧୋବାଘରକୁ

ଲମ୍ବ କୁଞ୍ଚ ଆମ ଭୁଇଁ ଖରକୁ ।

ଅରଟ କାନି କି ନ ମିଳେ ତେଲ,

ବଡ଼ ଲୋକ ସଙ୍ଗେ କିପାଇଁ ଗେଲ ।

 

ଭାତ ସଙ୍ଗେ ପଛେ ନ ଖାଅ ତୁଣ,

ପରଘରୁ କେବେ ନ କର ଋଣ ।

ବତାସେ ଉଡ଼ୁଛି ପଥରଶିଳା,

ମୋତେ ରଖ କହେ ଶିମିଳୀ ତୁଳା ।

 

ନର ହୋଇ କରେ ନରକୁ ଘୃଣା,

ବଣପଶୁଠାରୁ ସେ ସିନା ଊଣା ।

କୁଚକ୍ରୀ ସ୍ୱଭାବ ଶ୍ୱାପଦୁ ବଳେ,

ଶ୍ୱାପଦ ଆଉ କି ଗଛରେ ଫଳେ ।

 

ଦୁର୍ବଳ ପୀଡ଼ନ ଦେଖେ ଯେ ଚାହିଁ,

ତାହା ଜୀବନର ଜୀବନ ନାହିଁ ।

ଜୈମିନୀମୁନିଙ୍କି ସ୍ମରଣ କର,

ବଜ୍ରପାତ ଭୟ ହେବ ଅନ୍ତର ।

 

କାର୍ତ୍ତିକେ ବତାସ ବହିଲେ ଝାଡ଼ି,

ଧାନ ଛିଞ୍ଚାଯାକ ହୁଏ ଅଗାଡ଼ି ।

ଗୋଟିକିଆ ତରା ଦୋଷ ଅପାର,

ତ୍ରିବାର ନାରଦ ନାମ ଉଚ୍ଚାର ।

 

ପାଠୁଆ ପୁଅଟି ହେବ ରଜା ରେ,

ହଜାରେ ତା ଦାମ ବର ବଜାରେ ।

ଧନୀ ଯାହା କରେ ତାକୁ ତା ସାଜେ,

ଗରିବ ବେଳକୁ ବାଇଦ ବାଜେ ।

 

ପିଆଦାର ଲାଞ୍ଚ ନିମକ୍‌ହରାମି,

ଜମିଦାର ଲାଞ୍ଚ-ଭେଟି, ସଲାମୀ ।

ସବୁ ବେଉସାର ଜୀବନ ସତ୍ୟ,

ପାସୋରିବୁ ନାହିଁ ଏ ଗୂଢ଼ ତଥ୍ୟ ।

 

 

ବ୍ୟବସାୟେ ଯେବେ ସତ ନ ଥାଏ,

କୁବେର ସମ୍ପତ୍ତି ଉଭେଇ ଯାଏ ।

ସ୍ୱଦେଶ ସେବାରେ ଯେହୁ ବିମୁଖ,

ପ୍ରାତେ ନ ଚାହିଁ ତା ଅଶୁଭ ମୁଖ ।

 

ମାତୃଭାଷାଠାରୁ ନାହିଁ ମଧୁର,

ମାତୃଭୂମିଠାରୁ କିଏ ସୁନ୍ଦର !

ନ ଧରନ୍ତି ଖଳ- ବୀରେ ଆୟୁଧ,

ଦେଖନ୍ତି ଲଗାଇ କୁକୁଡ଼ା ଯୁଦ୍ଧ ।

 

ପରଛିଦ୍ର ଖୋଜା ବେଉସା ତାର,

ସେ ପାପୀ ପୟରେ ଦୁରୁ ଜୁହାର ।

ନିଜ ଘରେ କେତେ ନ ଜାଣେ ରୁଅ,

ପର ଆୟୁ ଗଣେ ନାହାକ ପୁଅ ।

 

ସିଦ୍ଧିରସ୍ତୁ ପଛେ ହେଉ ବର୍ଜିତ,

ପଣ୍ଡିତର ପୁଅ ମହାପଣ୍ଡିତ ।

ସ୍ୱାର୍ଥ ପରେ ସ୍ୱାର୍ଥ-ସାଧନ ପାଇଁ,

ଲଗାଇ ଦିଅନ୍ତି ଷଣ୍ଡ ଲଢ଼ାଇ

 

ମହାଜନେ ପୂଜ, ଘୋଷ ପୌରୁଷ,

ବିକି ଖାଅ ନାହିଁ ଚିତା ପାଉଁଶ ।

ନ କଲେ ଗୁଣୀର ଗୁଣାନୁକୃତି,

କେଉଁ ଲାଭ ପୂଜି ବିଫଳ ସ୍ମୃତି ।

 

ଆଶାକୁ ଜିଣିବ କେଉଁ ତପସ୍ୱୀ,

ଆଶା ସମସ୍ତଙ୍କ ହାତ-ବାରଶି ।

ଭକ୍ତି-ମଧୁଠାରୁ କିଏ ମଧୁର,

ଆତ୍ମାଠାରୁ ବଳି କିଏ ଠାକୁର ।

 

ସକଳ ଭାଷାର ଶକ୍ତି ଅସୀମ,

ପରଭାଷା ନିନ୍ଦେ ଅଧମାଧମ ।

ଅନ୍ୟର ଭାଷାକୁ ମଣେ ଯେ ତୁଚ୍ଛ,

ତାହାଠାରୁ ବଳି କିଏ ନିକୁଚ୍ଛ ।

 

 

ନିଜ ପର ଭାଷା ସର୍ବେ ଦେବତା,

ଭାଷାକୁ ଯେ ବାଛେ ସେ ହୀନଚେତା ।

ଘରଛିଦ୍ର ନେଇ ବାଢ଼େ ଯେ ହାଟେ,

ନିଜ ହାତେ ନିଜ ଜିଭ ସେ କାଟେ ।

 

ଘର କଥା ଥାଉ ଘରେ ଆବଦ୍ଧ,

ପଦାକୁ କାଢ଼ିଲେ ଫୁଟିବ ଗନ୍ଧ ।

ପର ବୋଲି କରେ ଆବୃତ୍ତି ଶୁକ,

ବୁଝେ କି ତାହାର ଅର୍ଥ ସେ ମୂର୍ଖ ।

 

ବକ୍ତୃତାଟା ପଛେ ହେଉ ନାକରା,

ଚୋବାଇବ ନାହିଁ ପର ଚୁପରା ।

ନୈତିକ ସାହସ ନାହିଁ ଯାହାର ।

ଧିକ ତାର ସିଂହ - ବିକ୍ରମ ଛାର ।

 

ପୁଣ୍ୟ ଭାରତର ଦିଗମଣ୍ଡଳ,

ସତୀ ଚିତାନଳେ ଚିର ଉଜ୍ଜ୍ୱଳ ।

ନାରୀ ମାତ୍ରେ ମାତା, ଭଗ୍ନୀ, ଦୁହିତା,

ଦେବୀ ଜାତି ସେହୁ ବିଶ୍ୱ ପୂଜିତା ।

 

କୁଭାବେ ତାଙ୍କୁ ଯେ କରେ ଟାପରା,

ମହାନାରକୀ ସେ ପାପ-ପସରା ।

ଦେଖେ ଯେ ବର୍ବର କୁନେତ୍ରେ ତାଙ୍କୁ,

ଲଙ୍ଘେ ସେ ପାପିଷ୍ଠ ନିଜ ମାତାକୁ

 

କାଳର ମାହାତ୍ମ୍ୟ କିସ କହିବି,

ଓଡ଼ିଆଣୀ ହେବେ ବିଲାତି ବିବି ।

ଦାସୀ, ଦେଈ, ଦେବୀ ଉପାଧି ଏଡ଼ି,

ପାଠ ପଢ଼ି ହେବେ ମିସେସ୍‌ ଲେଡ଼ି ।

 

ପାଠ ପଢ଼, ସେ ତ ଉତ୍ତମ କଥା,

ମାତ୍ର ଛାଡ଼ ନାହିଁ ଜାତୀୟ ପ୍ରଥା ।

ଜ୍ଞାନାର୍ଜନ କର ଭ୍ରମି ଭୂଖଣ୍ଡ

ଜାତି ଦେଶଧାରା ରଖ ଅଖଣ୍ଡ ।

 

 

ରଙ୍ଗ ମାଖିହୋଇ କ୍ଷଣକ ପାଇଁ,

ପ୍ରକୃତ ରୂପକୁ ଘୋଡ଼ାଅ ନାହିଁ ।

କିସ ଲାଭ ତହିଁ, ବୁଝ କ୍ଷତିଟା,

ଲାଗିଯାଏ ଦେହେ ରଙ୍ଗ ଚିକିଟା ।

 

ନ ପିନ୍ଧ ପଛକେ ଡ୍ରେସ ସୌଖିନ,

ଶାଢ଼ୀ ଖଣ୍ଡି ତୁମ୍ଭ ସତୀତ୍ୱ ଚିହ୍ନ ।

ଜାତୀୟ ଶକ୍ତିଟି ନ ହେଲେ ପୁଷ୍ଟ,

ଆନ କେ ଗଢ଼ିବ ଜାତି ଅବୃଷ୍ଟ ।

 

ଦୈବବଳେ ମିଶି ଜାତୀୟ ବଳ,

ଧରେ ବିଶ୍ୱଜୟୀ ମୂର୍ତ୍ତି ପ୍ରବଳ ।

ଦେଶପୂଜା ଯେବେ କରିବୁ ପଣ,

ମିଶାଇଦେ ଦେଶମାଟିରେ ପ୍ରାଣ ।

 

ଭିକ୍ଷା, ବ୍ୟଭିଚାର ଆବର ଚୋରି,

ମାନବ ମହତ୍ତ୍ୱ ଖାଆନ୍ତି କୋରି ।

ମିଥ୍ୟା, ପ୍ରବଞ୍ଚନା, ଜାଲ, ଫିସାଦ,

ଦୁର୍ଜନକୁ ଲାଗେ ଭାରି ସୁଆଦ ।

 

ଅର୍ଥ ସିନା ପାଏ ଜଗତେ ପୂଜା,

ନରପୂଜା ତାକୁ ମଣେ ଅବୁଝା ।

ଶ୍ରୀଛାମୁ ମଣିମା ହଜୁର ଆଦି,

ଏସବୁ ଅର୍ଥର ସିନା ଉପାଧି ।

 

ଜୁହାର କଲ୍ୟାଣ ଭକ୍ତି, ବିନତି,

ଅର୍ଥକୁହିଁ ଏକା ସର୍ବେ କରନ୍ତି ।

ଛାଡ଼ିଗଲେ ଦେହୁଁ ଅର୍ଥର ଝଳି,

ବଡ଼ଲୋକ ହେବ ଗରିବ ଭଳି ।

 

ଛିଙ୍କିଲା ଚୁଟିଆ-ମୂଷାର ପୁଅ,

ବିରାଡ଼ି କହିଲା-ତ୍ରିଜୀବୀ ହୁଅ ।

ହସି କହେ ମୂଷା-ତାଧିନି ଧିନା,

ତୋ ପାଟିରୁ ଆଗେ ବର୍ତ୍ତିଲେ ସିନା ।

 

 

ଦୁର୍ଜନ ପ୍ରକୃତି ନ ହୁଏ ଆନ,

ଗଜା ହୁଏ ନାହିଁ ଉଷୁନା ଧାନ ।

ଗାଦି ଗାଦି ପୋଥି ମୋ ଘରେ ଥୁଆ,

ମୋହଠାରୁ ବଳି କିଏ ପାଠୁଆ ।

 

କାର୍ତ୍ତିକ ବରଷା ବର୍ଷେ ଚାଉଳ,

ତୁତମାସେ ବଢ଼େ ବିଶେଷେ ମୂଳ ।

ହଳସୂତ୍ର କର ମେଘ ବାସିରେ,

ପୂରିଯିବ କ୍ଷେତ ଶସ୍ୟରାଶିରେ ।

 

ଅଥବା ଅଗିରା-ପୂନେଇ ବାସି,

କି କରିବୁ ଗଣି ନକ୍ଷତ୍ରରାଶି ।

ଧାନ ହେଲେ ହୁଏ ଆମ୍ବ ଫସଲ

ତେନ୍ତୁଳୀ ଆଣଇ ବଢ଼ି ବାଦଲ ।

 

ମାଘ ମାସେ ହେଲେ ଘନ କୁହୁଡ଼ି,

ଛ’ ମାସରେ ଆଣେ ବରଷା ଝଡ଼ି

ବଡ଼ ହିତ କରେ ଦେହକୁ ଶାଗ,

ସବୁ ଛାଡ଼ି ତାକୁ ଖାଇବ ଆଗ ।

 

ପର୍ବତେ ଫୁଟିଲେ କମଳ କଳି,

ସଜ୍ଜନ ବଚନ ନ ଯିବ ଟଳି ।

ଖାଲ ଖୋଳି ଧନୀ ନ ପଡ଼େ ଖାଲେ,

ବଳିଆର ନାଆ ଭୂଇଁରେ ଚାଲେ ।

 

ଗୌରବେ ବହନ୍ତି ଶିକ୍ଷିତ ନାମ,

ପୁଅକୁ କରନ୍ତି ହାଟେ ନିଲାମ ।

ଭଲ କଥା କର ବାବା ବି.ଏ.ଏମ.ଏ. ପାସ୍‌,

କିନ୍ତୁ ତାକୁ କର ନାହିଁ ଦାସତ୍ୱର ଫାସ୍ ।

 

ପୋଷାପୁଅ ଖୁଞ୍ଚାରୁଅ ସାଉଣ୍ଟିଲା କାଣ୍ଡ

ୟାକୁ ଯେ ଭରସା କରେ ପୋଡ଼ୁ ତାର ମୁଣ୍ଡ ।

ଭୃତ୍ୟ ଦୋଷ କଲେ ହୁଏ ଡ଼େମ୍‌ଶୁଅର ଫୁଲ,

ପ୍ରଭୁଙ୍କ ବେତକୁ ଦୋଷ ହୋଇଯାଏ ଭୁଲ୍‌।

 

 

ନିଆଁ ଧୂଆଁ ନିଶାପଶା ଯେ ଘରର ଚାଲ,

କଳିକଜିଆରେ ତାର ରହେ ନାହିଁ ହାଲ ।

ଦେବତାଙ୍କ କୁକରଣୀ ହୁଏ ଲୀଳାଖେଳା,

ମନୁଷ୍ୟ ବେଳକୁ ମାତ୍ର କିପାଁ ପାପ ହେଲା ।

 

ପରତଣ୍ଟି ଆଣ୍ଟେ ତିନି ଜପେ ରାଧେ ଶ୍ୟାମ୍‌,

କି ମଧୁର ଭୂତମୂଖେ ପୁଣ୍ୟ ରାମ ନାମ ।

ମାମଲାବାଜ୍‌ ହେବା ଗୋଟେ ଜୀବନର ସୁଖ,

ଏହା ଯେ ନ ଜାଣେ ସେଟା ପାସ୍‌କରା ମୂର୍ଖ ।

 

ନାହିଁ ଯାର ସ୍ୱଜାତି ବା ସ୍ୱଭାଷା ମମତା,

ନିଶ୍ଚୟ ସେ ପଶୁଠାରୁ ଅଟେ ହୀନଚେତା ।

ଏକତାର ଅର୍ଥ ବୁଝେ ବନର ବାନର,

କି ଆଶ୍ଚର୍ଯ୍ୟ ନ ବୁଝେ ତା ଜ୍ଞାନଗର୍ବୀ ନର ।

 

ଛାଡ଼ ଛାଡ଼ ବିଳାସିତା ପେଟେ ଭାତ ନାହିଁ,

କି କରିବ ଫୁଲମାଳ ଗଳାରେ ଲମ୍ବାଇ ।

ନିଜ ଗୋଡ଼େ ଠିଆ ହୋଇ ବୁଢ଼େ ବାନ୍ଧି ଅଣ୍ଟା,

ଉନ୍ନତି-ବାଟରୁ ଦିଅ କାଢ଼ି ଖୁଞ୍ଚ କଣ୍ଟା ।

 

ଚାଲୁଣୀ ତିଆରେ ଛୁଞ୍ଚି ତୋ ଦେହ କଣାରେ,

ଛୁଞ୍ଚି କହେ ମୋର ଗୋଟେ ତୋର ତ ହଜାରେ ।

ଓଲ କହେ ତୁ ତ ବଡ଼ କୁଣ୍ଡିଆରେ ସାରୁ,

ମୁର୍କି ହସି ସାରୁ କହେ ତୁ ପରା ମୋ ଗୁରୁ ।

 

ଜମିବାଡ଼ି ବିକ ପଛେ କର ପଛେ ଧାର,

ମୋଟରକାର ଚଢ଼ିକର ବଂଶକୁ ଉଦ୍ଧାର ।

ବସ ନାହିଁ ବସ ନାହିଁ ହାତଗୋଡ଼ ଯୋଡ଼ି,

କାମ ଦାମ ନାହିଁ ଯେବେ ହୁଅ ମୁଣ୍ଡ କୋଡ଼ି ।

 

ଅଦ୍ଭୁତ ଏ କଳିଯୁଗେ ଶିଷ୍ଟାଚାର କର୍ମ,

ହାତ ଝିଙ୍କା ଝିଙ୍କି ହେଲେ ହେଲା ମାନ୍ୟଧର୍ମ ।

ପୁତ୍ର ଲେଖେ ପ୍ରିୟ ପିତା, ପତ୍ନୀ ପ୍ରିୟତମ,

ସଭ୍ୟତାର ଏ ନମୁନା ଖାସା ମନୋରମ ।

 

 

ଧର୍ମନାମେ ପଶୁହତ୍ୟା ବଡ଼ ବାହାଦୁରୀ,

ପାରିହେବେ ବୈତରଣୀ ପଶୁଲାଞ୍ଜ ଧରି ।

ବଗ ବୋଲେ ମାଛ ମୋର କଲ୍ୟାଣେ,

ହେବେ ତୋର ପୁଅନାତି କାହାଣେ ।

 

ମାଛ କହେ ତୋର ସାଧୁ ସ୍ୱଭାବ,

ମୋ ବଂଶ ବଢ଼ିଲେ ତୋହରି ଲାଭ ।

 

ଚିନି ହେବ ନାହିଁ ସୋଡ଼ା,

ଯେତେ ପରକାରେ            ମଣ୍ଡଣି କଲେ କି

ଗଧଟା ହୋଇବ ଘୋଡ଼ା ।

 

କୁଆଟା ହେବ କି ଶୁଆ,

ଲାଙ୍ଗୁଡ଼ ଫୁଲାଇ            ହୁମ୍ପା ମାରିଲେ କି

ଭୁଆ ହେବ ସିଂହଛୁଆ ।

 

ଯେ ଯାହା ସେ ତାହା ଥିବ,

ଶିଳପତାଟାଏ            ଶକ୍ତିରେ ପଶିଲେ

ହେବ ନାହିଁ ସଦାଶିବ ।

 

ଯାହାକୁ ଶୋଭା ଯେ କାମ,

ପାଉଁଶିଆ ଭଣ୍ଡ            ବୈଷ୍ଣବ ତୁଣ୍ଡରେ

ସାଜିବ କି ହରିନାମ ।

 

ଗୁଣ ଲୁଚି ରହିବ କି,

କରାଟ ଭିତରେ            କସ୍ତୁରୀ ରଖିଲେ

ଉଠିବ ଆପେ ମହକି ।

 

ଭାଙ୍ଗିବା ସହଜ ବଡ଼,

ଗଢ଼ିବାଟା ଏକା            କାଠିକର ପାଠ

ହାଡ଼ ହୁଏ କଡ଼କଡ଼ ।

 

ୠଣ କରି ଖାଉ ଖଜା,
ଘରଦ୍ୱାର ବିକି            ମହାଜନ ନେବ

ବୁଝିବୁରେ ତେବେ ମଜା ।

 

ଭ୍ରମରେ କାହିଁକି ପଡ଼ୁ,

ଲାଞ୍ଚଖିଆ ହାତେ            ମାଜ ଜପି ପରା

ଯମକୁ କରିବୁ ଫଡ଼ୁ ।

 

ହୀନକୁଳେ ଜାତ ହେଉ,

ଚରିତ୍ରରେ ଯେବେ            କଳାଦାଗ ନାହିଁ

ତାଠାରୁ ମହତ କେହୁ ।

 

ଦୋଷ କଲେ ଦଂଶେ ସାପ,

ବିନା ଦୋଷେ ମାତ୍ର            ଦଂଶେ ଖଳଜନ

ସାପର ସେ ବଡ଼ବାପ ।

 

ଯାହାକୁ ସାହାପକ୍ଷ ବ୍ରହ୍ମାଣ୍ଡ-ଈଶ,

ଛାର ମନୁଷ୍ୟ ତାର କରିବ କିସ ।

ଦୀନ ନୟନୁ ଅଶ୍ରୁ ଝରିଲେ ଆହା,

ପୋଛି ଦିଅନ୍ତି ହରି ଶ୍ରୀହସ୍ତେ ତାହା ।

 

ଦୁର୍ଗୁଣ ଖୋଜିବୁଲେ ଦୁର୍ଗୁଣୀ ଜନ,

ପୂଜ ରକ୍ତରେ ଏକା ମାଛିର ମନ ।

ହାକିମ ବାବୁ ଭୟା ଦୁଆରବାନ,

ଯମ ଆଖିରେ ସିନା ସର୍ବେ ସମାନ ।

 

ମୂର୍ଖ, ପଣ୍ଡିତ, ଧନୀ, ଦରିଦ୍ର କୁଲି,

ସର୍ବେ ଆଶ୍ରିବେ ସେହି ଶ୍ମଶାନଚୂଲୀ ।

ଜେନା, ମଳିକ, ମୁଖୀ, ତିଆଡ଼ି, ଓତା,

ସମସ୍ତେ ହେବେ ଏକା ଗାତରେ ପୋତା ।

 

କୁବେର ପରି ଧନୀ ବିଶ୍ୱବିଖ୍ୟାତ,

ଖାଏ ତ ନାହିଁ ସୁନା ଚାଉଳ ଭାତ ।

ସାପ ଅପଘାତ ମରଣ ଶୁଣି,

ସକେଲ କାନ୍ଦନ୍ତି ବେଙ୍ଗ ବେଙ୍ଗୁଣୀ ।

 

ଅପାସୋରା ତୋର ଦୟା ପ୍ରଭାବ,

କେ ଦେବ ଆମ୍ଭଙ୍କୁ ଗର୍ଭରେ ଠାବ ।

ଆନ ଭାଷା ପଛେ ହେଉ ରସ ପିଠା

ମୋର ମାତୃଭାଷା ମୋ କାନକୁ ମିଠା ।

 

ଧୁତୁରା ବାସଙ୍ଗ ହେଲେହେଁ ନିର୍ବାସ,

ଆଗ୍ରହେ ଗ୍ରହନ୍ତି ତାହା କୃତ୍ତିବାସ ।

ନ ମଣ କୃଷିଶିଳ୍ପେ ହୀନ,

ସେ ଆମ ଜୀବିକା ସ୍ୱାଧୀନ ।

 

କୃଷକ ଜଗତ ନମସ୍ୟ,

ପରାର୍ଥେ ଉପୁଜାଏ ଶସ୍ୟ ।

ପଖାଳ ଭାତ କାଞ୍ଜି ଲୁଣ,

ୠଣ ନ ଥିଲେ କରେ ଗୁଣ ।

 

ପୂର୍ବ ପୁରୁଷଙ୍କ            ପ୍ରତିଷ୍ଠା ବିକିଲେ

ନ ସରିବ ଖାଇ ଖାଇ,

ମାଡ଼ ଛାଟ ଖାଇ            ହୀନମାନ ହୋଇ

ପଢ଼ିବି ପାଠ କିପାଇଁ

 

ବନ୍ଦର କଉଡ଼ି ପନ୍ଦର ଦିନ,       ଚାକିରୀ କଉଡ଼ି ମାସେ,

ହିଡ଼ମାଟି ତୁ ହିଡ଼ରେ ନଦିଲେ

ଖାଉଥିବୁ ବସି ବର୍ଷେ ।