Unknown

କୈବଲ୍ୟ-କଣିକା

ଚିନ୍ତାମଣି ମହାନ୍ତି

ମଙ୍କଳ (୧)

କୈବଲ୍ୟ -କାରଣ ହରି

ଏ ମୋ ନିବେଦନ,

ଅନ୍ତେ ଯେହ୍ନେ ଲଭେଁପ୍ରଭୁ

ତବ ଶ୍ରୀଚରଣ । ୧ ।

ଯେଠାବେ ଯେ ଭାବେ

ପଛେ ହେଉ ହେ ମରଣ

ଯଥାକାଳେ ମିଳୁ ତବ

ପୁଣ୍ୟ ଦରଶନ । ୨ ।

 

 

ନ କରେଁ ବିପଦେ ଯେବେ

ତୁମ୍ଭଙ୍କୁ ସ୍ମରଣ,

ସ୍ୱଗୁଣେ ଶରଣ ଦେବ

ବିପଦ-ବାରଣ । ୩ ।

ତେଜିବେ ନିଶ୍ଚୟ ଜାଣେ

ଆତ୍ମୀୟ ସ୍ୱଜନ

ମାତ୍ର ତୁମ୍ଭେ ନ ତେଜିବ ଏ

ମୋ ନିବେଦନ । ୪ ।

 

 

 

କଳହଂସ କେଦାର (୨)

ଆସିଥିଲୁ ରେ ମନ

ବଡ଼ ଆଶାରେ,

ଆସିବା ମାତ୍ର ସାର

ହେଲା ସଂସାରେ,

ମୁଦ୍ରିତ ପଦ୍ମ କୋଳେ

ଭ୍ରମର ପରି

ଭବ-କାରାରେ ଗଲୁ

ଆତ୍ମ ବିସ୍ମରି । ୧ ।

 

 

ମଧୁର ଆମ୍ର ଭ୍ରମେ

ଭୁଞ୍ଜି କୋଚିଳା,

ତିକ୍ତ ମୁଖରେ ରହି

ଆୟୁ ସରିଲା,

ସଙ୍କଳ୍ପେ ହେଲା ସିନା

ଆମ୍ର ଭକ୍ଷଣ,

ଭକ୍ଷଣ ଥାଉ ନ ଘଟିଲା

ଚକ୍ଷଣ । ୨ ।

 

 

କି ଖେଳ ଖେଳିବାକୁ

ଆସିଲୁ ଧାଇଁ,

କିନ୍ତୁ ଖେଳିଲୁ କିସ

ଭାଳିଲୁ ନାହିଁ,

ଗାଭୀ ପହ୍ନା ସଂଲଗ୍ନ

ଟିଙ୍କ ସମାନ,

ଗୋକ୍ଷୀର ତେଜି କଲୁ

ରୁଧିର ପାନ । ୩ ।

 

 

ମାୟାର ଖେଳେ ଯାହା

ହେବାର ହେଲା,

ଆଉ ରେ ମୂଢ଼ ମନ

ନ କର ହେଳା,

ହେଲାଣି ସନ୍ଧ୍ୟା ଏବେ

ହେବ ଅନ୍ଧାର,

ଚଞ୍ଚଳେ ଫେରି ଚାଲ

ନିଜ ଅଗାର । ୪ ।

 

ବଙ୍ଗଳାଶ୍ରୀ (୩)

କର୍ମକ୍ଷେତ୍ରେ ଆସି            ଅକର୍ମ ସେବାରେ

କଟାଇଲି ବୃଥା ଦିନ,

ସୁଖର ଜାଗ୍ରତ-            ସ୍ୱପ୍ନ-ପାରାବାରେ

ସୁଖାଶା ହେଲା ବିଲୀନ । ୧ ।

 

ତବ ପାଶୁଁ ପ୍ରଭୁ            ଆସିବା ସମୟେ

ଥିଲି ମୁହିଁ ନିଷ୍କଳଙ୍କ,

ହେଲି କଳୁଷିତ            ବୋଳି ଦେହେ ସିନା

ବିଷୟ ଦୁର୍ଗନ୍ଧ-ପଙ୍କ । ୨ ।

 

ସ୍ୱାର୍ଥ-କୀଟ-ଦଂଷ୍ଟ୍ରୁ            ଦେହେଁ ଆକ୍ରମିଲା

ଦୁର୍ଭାର ଦୁଃଖଦା ଜରା,

ସୁବର୍ଣ୍ଣ ପିଞ୍ଜରା            କୀଚକେ ପାଲଟି

ରହିଛି ହୋଇ ଦଦରା । ୩ ।

 

ଭାଙ୍ଗିଦେଇ ତାହା            ହେ ବିଶ୍ୱବିନ୍ଧାଣି

ଗଢ଼ିଦିଅ ନବ ଭାବେ,

ମଣ୍ଡି ଅପାର୍ଥିବ-            ରତ୍ନ, ଶାନ୍ତି ପ୍ରୀତି

ମୈତ୍ରୀ ସ୍ୱଧର୍ମ ସଦ୍ଭାବେ । ୪ ।

 

ତୁମ୍ଭରି ପାଳିତ            ରକ୍ଷିତ ହୋଇ ମୁଁ

ତୁମ୍ଭଙ୍କୁ ହେଇ ବିସ୍ମିତ,

ଅକୃତଜ୍ଞ ମୁହିଁ            ମାତ୍ର ପ୍ରଭୁ ତବ

କରୁଣା ନୁହେଁ ବିକୃତ । ୫ ।

 

ରାମକେରୀ (୪)

ରଖ ଆର୍ତ୍ତତ୍ରାଣ ଆରତେ

କରି କୃପା ପ୍ରକାଶ

ଡ଼ାକୁଅଛି ମୁହିଁ ଆକୁଳେ

ତବ ଦାସାନୁଦାସ । ୧ ।

 

ରିପୁ-ଚୌର ତୀବ୍ର ଲୁଣ୍ଠନେ

ଶୂନ୍ୟ ହୃଦ ଭଣ୍ଡାର

ତଥାପି ଇନ୍ଦ୍ରିୟେ ଖୋଜନ୍ତି

ସଦା ପୂଜାସମ୍ଭାର । ୨ ।

 

ଆଜୀବନ ତାଙ୍କୁ ପୂଜିଛି

ଛାଡ଼ି ତୁମ୍ଭର ପୂଜା

ତେବେହେଁ ଅତୃପ୍ତ ସକଳେ

ମହା ମୂଢ଼ ଅବୁଝା । ୩ ।

 

ତାହାଙ୍କ କୁହୁକେ ଭୁଲି ମୁଁ

ଥିଲି ତୁମ୍ଭଙ୍କୁ ହରି,

ଆଉ ନ ଭୁଲିବି ଏ ଭିକ୍ଷା

ଦିଅ କରୁଣା କରି । ୪ ।

 

ଦୀର୍ଘ ତ୍ରିପଦୀ (୫)

ପ୍ରାଣ-କୁଞ୍ଜେ ହରି             ଶୁଭେ ଅବତରି

ବଜାଅ ମୋହନ ମୁରଲୀ

ହୃଦ-ପଦ୍ମାସନ            କରି ବିମଣ୍ଡନ

ବିନୟେ ଆମନ୍ତ୍ରଣ କଲି । ୧ ।

 

ଶୁଣି ସେ ସୂସ୍ୱର            ମୁକତି-ମନ୍ତର

ଦୂର ହେଉ ପାପ ବିଦ୍ୱେଷ,

 

ଢାଳି କୃପା-ଜଳ            କର ସୂନିର୍ମଳ

ପଙ୍କିଳ ହୃଦୟେ ସୁରେଶ । ୨ ।

 

ଅଳୀକ ସଂସାରେ             ଅଳୀକ ଆଶାରେ

କଟାଇଲି ବୃଥା ସମୟ,

ଶେଷ ଦିନ କଥା            ଭାବି ଲଭେ ବ୍ୟଥା

ଦିଅ ଦିଅ ପ୍ରଭୁ ଅଭୟ । ୩ ।

 

ଅଗତିର ଗତି            ତୁମ୍ଭେ, ତୁମ୍ଭ କତି

ପଶିଲି ଆରତେ ଶରଣ,

ତାର ତାର ତାର            ଆସନ୍ନ ଦୁର୍ଭାର-

ବିପଦୁଁ ବିପଦ-ବାରଣ । ୪ ।

 

 

 

ନଟବାଣୀ (୬)

ବିଫଳ ଜନମ

ବିଫଳ ଜୀବନ

ନ ଦେଖି ମୋହର

ପ୍ରାଣ-ପ୍ରିୟଧନ । ୧ ।

ଖୋଜୁଛି ସର୍ବତ୍ର

ଅବକାଶ ନାହିଁ

ନ ଦେଖିଲି ଭକ୍ତ-

ଚିତ୍ତଚୋରେ କାହିଁ । ୨ ।

 

 

ଡ଼ାକୁଛି ରେ ପକ୍ଷି

ସୁଖେ ବସି ଡାଳେ,

ଡ଼ାକୁଛି କି ସେହି

ଜଗତ-ଭୂପାଳେ । ୩ ।

କି ନାମେ ଡ଼ାକୁଛୁ

କହ ତ୍ୱରା କରି,

ଡାକିବି ମୁଁ ସଦା

ସେହି ନାମ ଧରି । ୪ ।

 

 

ପ୍ରକାଶି ରେ ଭୃଙ୍ଗ

ସ୍ୱର ଗୁଣ ଗୁଣ,

ଗାଉଛୁ କି ସେହି

ଗୁଣାକର ଗୁଣ । ୫ ।

ଶିଖାଅ ତା ମୋତେ

ମୁହିଁ ରେ ନିର୍ଗୁଣ,

ତୋ ସୁଗୁଣ ଭାଇ

ଦିଅ ମୋତେ ଋଣ । ୬ ।

 

 

ରେ ମହା ଗଗନ

ନୀଳ ଆବରଣେ,

ଲୁଚାଇଛୁ କିବା

ମୋ ଜୀବନ-ଧନେ । ୭ ।

ଫେଡ଼ ଫେଡ଼ ଫେଡ଼

ଖରେ ଆବରଣ,

ପ୍ରାଣାରାମେ ମୋର

କରିବି ଦର୍ଶନ । ୮ ।

 

ଖଣ୍ଡ କୁମ୍ଭକାମୋଦୀ (୭)

ନ କରୁ ରେ ମନ            ବିପଦ-ବାରଣେ

କିପାଁ ଭାବନା,

ମିଛେ ମଣି ସତ            ରହିଛୁ ନିଶ୍ଚିତ

କି ବିଡ଼ମ୍ବନା । ୧ ।

 

ଫେଡ଼ ମୋହ ନେତ୍ର      ସଂସାର କୁହୁକେ

ଆଉ ଭୁଲ ନା,

ଅସାରେ ଉପେକ୍ଷି            ସାରେ ଭଜ ଯିବ

ଭବ-ଯାତନା । ୨ ।

 

ଆଚର ରେ ମନ            ଜଗତ-ତାରଣ

ଧ୍ୟାନ ଧାରଣା

ଶୟନ ଚେତନେ            ସଦା କର ତାଙ୍କ

ନାମ ଘୋଷଣା । ୩ ।

 

ଭବ-ପାରବାରୁ            ତରିବାକୁ ଯଦି

ଅଛି କାମନା,

ଦେହ ମନ ପ୍ରାଣ            ଅର୍ପି ତାଙ୍କୁ ତେବେ

କର ସାଧନା । ୪ ।

 

(୮)

ସ୍ମର ସ୍ମର-ପର-ଗୁରୁ ଶ୍ରୀମଧୁସୂଦନେ,

ବିଶ୍ୱ-ବିକୃତ ନୟନ ଅମୃତ ଅଞ୍ଜନେ,

ଭାବରେ ହୋଇ ତନ୍ମୟ      ସ୍ମର ସତତ ଚିନ୍ମୟ

ବିବେକ ବୈରାଗ୍ୟ ବେନି ସହାୟ ସାଧନେ । ୧ ।

 

କାଳ-ଚିଲ ମାରି ଚକି ଊର୍ଦ୍ଧେ ଉଡ଼େ ଛକି ଛକି

ଆଚମ୍ବିତେ ପ୍ରାଣ-ମୀନେ ଘେନିବ ବହନେ । ୨ ।

ଦାରା ସୂତ ପରିବାର      ଧନ ରତ୍ନ ଅଧିକାର

ସ୍ୱପନ ସମ ଅସାର ଭାବି ବୁଝ ମନେ । ୩ ।

 

ତେଜି ଅନିତ୍ୟ ବାସନା      ଅସତ୍ୟର ଉପାସନା

ସ୍ମର ସେହି ନିରଞ୍ଜନ ସତ୍ୟ ସନାତନେ । ୪ ।

 

ଗୁଜ୍ଜରୀ । (୯)

ମହାମହିମ ବିଶ୍ୱପିତା,

ଅବିଦ୍ୟା-ତାମସ-ସବିତା । ୧ ।

ବୁଡ଼ି ମୁଁ ପାପ-ପାରାବାରେ,

ଆସିଛି ଶେଷ ତୁମ୍ଭ ଦ୍ୱାରେ । ୨ ।

 

ଡ଼ାକୁଛି ଉଚ୍ଚେ ମହାବ୍ୟସ୍ତେ,

ନ ଫେରେଁ ଯେହ୍ନେ ଶୂନ୍ୟହସ୍ତେ । ୩ ।

ପଦ ଐଶ୍ଚର୍ଯ୍ୟ ମାଗୁ ନାହିଁ,

ପ୍ରାର୍ଥୀ ମୁଁ ନୁହେଁ ମୁକ୍ତି ପାଇଁ । ୪ ।

 

କେବଳ ଲୋଡ଼ା ପଦ୍ମପାଦ,

ଖଣ୍ଡିବ ସେହୁ ମୋ ବିଷାଦ । ୫ ।

ପୂଜିବି ତାହା ଭକ୍ତି-ଫୁଲେ

ପୀରତି-ଚନ୍ଦନ ସଙ୍କୁଳେ । ୬ ।

 

ପ୍ରଦାନ ପ୍ରଭୁ ପଦଦ୍ୱୟ,

ଘେନି ମୋ ଅଳି ସବିନୟ । ୭ ।

 

ଚକ୍ରକେଳୀ (୧୦)

ଦିନେ ହେର ଯେରେ ନିଶ୍ଚେଁ ମରଣ,

କେବେ ଆଶା-ପୋଷାରେ କି କାରଣ ।

କର ଯାହାକୁ ପ୍ରାଣ ପରି ସ୍ନେହ,

ହେବ ଧୂଳିସାତ୍‌ ଦିନେ ସେ ଦେହ । ୨ ।

 

ଯତ୍ନେ ତୃଣ ରହେ ଯୁଗ ପ୍ରମାଣ,

ମାତ୍ର ଦି ଦିନ ଲୀନ ନର ପ୍ରାଣ । ୩ ।

ଯେବେ ଜିଣିବାକୁ ଇଚ୍ଛ ମରଣ,

ଘେନ ଅହିଂସା ସତ୍ୟର ଶରଣ । ୪ ।

 

ଜପି ଦୟା କ୍ଷମା ଶୁଭ ମନ୍ତର ।

ନର ମରି ସୁଦ୍ଧା ହୁଏ ଅମର । ୫ ।

 

ରାମକେରୀ (୧୧)

ଉଡ଼ାଇ ପତିତପାବନ-

ବାନା ହେ ଶିରୀଶ୍ୱର,

ପତିତ ଡ଼ାକ ନ ଶୁଣିବା

ଉଚିତ କି ତୁମ୍ଭର । ୧ ।

 

ଅନୁତାପ-ତପ୍ତ-ଲୋତକ

ପଡ଼ି ତବ ଚରଣେ,

ନ ଦିଏ କି ବ୍ୟଥା କିଞ୍ଚିତେ

କେବେ ହେଲେହେଁ କ୍ଷଣେ । ୨ ।

 

ନୈରାଶ୍ୟ-ପାବକ-ପ୍ରତପ୍ତ

ମୋର ଖର ପ୍ରଶ୍ୱାସ,

ସୁଶୀତଳ ହୃଦେ ତୁମ୍ଭର

ଦିଏ ନାହିଁ କି ପ୍ରାସ । ୩ ।

 

କର୍ଣ୍ଣପାତ ପଛେ ନ କର

ଏବେ ମୋହ ଡ଼ାକରେ,

ଡାକି ଡାକି କଲେ ବିରକ୍ତ

ନିଶ୍ଚେ ଶୁଣିବ ଥରେ । ୪ ।

 

ବାନ୍ଧି ଏ ଭରସା ହୃଦୟେ

ଡ଼ାକୁଅଛି ସତତ,

ଚିର ଘନ-ନୀର-ପିପାସୁ

ଦୀନ ଚାଚକବଚ । ୫ ।

 

ବୈଠକୀ ସ୍ୱର (୧୨)

କାହିଁ ଅଛ ଭାବଗ୍ରାହୀ ଭକ୍ତ-ରଞ୍ଜନ,

ପ୍ରାଣେ ଅବତରି କର ଭୟ ଭଞ୍ଜନ ।

ମିଥ୍ୟା କର୍ମେ ଗଲା ଦିନ      ଦିନୁ ଦିନୁ ତନୁ କ୍ଷୀଣ

ପ୍ରାଣଗ୍ରନ୍ଥି ହେଲା ଛିନ୍ନ କର ତାରଣ । ୧ ।

 

ଘେରାଇଣ ମାୟାଜାଲ      କେଶାଗ୍ର ଧରିଣ କାଳ

ଆକର୍ଷେ ଆଜନ୍ମ କାଳ କରି ଗର୍ଜ୍ଜନ । ୨ ।

 

ରକ୍ଷାକର ନାରାୟଣ      ଶ୍ରୀପଦେ ଗଲି ଶରଣ

କର ହେ ଦୀନରକ୍ଷା ! ଦୀନେ ରକ୍ଷଣ । ୩ ।

 

ଦିଅ ବିଶୁଦ୍ଧ ବିଶ୍ୱାସ            ଚିତ୍ତଦ୍ୱିଧା କର ନାଶ

ତବ ପଦେ ଶ୍ରୀନିବାସ ଏ ନିବେଦନ । ୪ ।

 

ଶଙ୍କରାଭରଣ (୧୩)

ସକଳ ତୁମ୍ଭର ଇଚ୍ଛା            ଇଚ୍ଛାମୟ ହରି,

ତୁମ୍ଭ କର୍ମ ତୁମ୍ଭେ କର       ମୁଁ ବୋଲେ ମୋହରି,

ତୃଣେ ବଦ୍ଧ କର କରୀ,

ପଙ୍ଗୁକୁ ଲଙ୍ଘାଇ ପାର ଉତ୍ତୁଙ୍ଗ ଶିଖରୀ । ୧ ।

 

ସର୍ବ ଶକ୍ତମାନ ତୁମ୍ଭେ      ପରାତ୍ପର ଈନ,

ଦରିଦ୍ରେ କୁବେର କର      କୁବେରକୁ ଦୀନ

ଧନ୍ୟ ତୁମ୍ଭର ମହିମା,

ନ ପାରନ୍ତେ ହର ବ୍ରହ୍ମା      କଳି ଯାର ସୀମା । ୨ ।

 

ବୋଲାଅ ଯେ ବାକ୍ୟ ତୁମ୍ଭେ ବୋଲଇଁ ମୁଁ ତାହା

କାୟା ତୁମ୍ଭେ ତୁମ୍ଭର ମୁଁ             ଛାୟା ବିଶ୍ୱନାହା,

ତୁମ୍ଭେ ଯନ୍ତ୍ରୀ ମୁହିଁ ଯନ୍ତ୍ର,

ବାଇଲେ ବାଜିବ ନ ତୁ       ରହିବ ସ୍ୱତନ୍ତ୍ର । ୩ ।

 

ଭବ-ବ୍ୟାଜ ତୀବ୍ର ବିଷେ      ଜର୍ଜର ମୋ ହିଆ,

କର ହେ ନିର୍ବିଷ ତୁମ୍ଭେ      ହୋଇଣ ଗୁଣିଆ,

ଜ୍ଞାନ-ଗଦ କରି ଦାନ,

ବିଷମ-ବିଷ ସନ୍ତାପୁଁ       କର ପରିତ୍ରାଣ । ୪ ।

 

ମଙ୍ଗଳ (୧୪)

ରସନା ରେ ଆନ ରସେ      ରସ ନା ରସ ନା,

ହରିଭକ୍ତି ରସ ବିନା            ସବୁ ବିଡ଼ମ୍ବନା । ୧ ।

ହୁଏ ସିନା ଆନ ରସ      ଘଡ଼ିକେ ବିକୃତ,

ମାତ୍ର ଚିର ଅନାବିଳ            ଭକ୍ତି-ରସାମୃତ । ୨ ।

 

ଚାଖିଲେ ତାହାର ସ୍ୱାଦୁ      ମାତ୍ର ଏକ ଥର,

ତୁଟିଯିବ ସମାଦର            ପାର୍ଥିବ ରସର । ୩ ।

ପାନେ ତାହା ଭବ-କ୍ଷୁଧା      ତୃଷ୍ଣା ଯାଏ ହରି,

ବିବେକ-ବିହଙ୍ଗ ସଦା       ଡ଼ାକେ ହରି ହରି । ୪ ।

 

ସେ ରସ ଯେ ପିଏ ତାର      ହୁଏ ମୋକ୍ଷଗତି,

ଭବତାପ ମାୟା ମୋହ       ନ ପଶେ ତା କତି । ୫ ।

ଅମଙ୍ଗଳ ବିଶ୍ୱେ ହରି      ନାମହିଁ ମଙ୍ଗଳ,

ଠୁଳ ତହିଁ ସର୍ବତୀର୍ଥ            ସର୍ବବ୍ରତ ଫଳ । ୬ ।

 

ଅଥଏବ ସବୁ ତେଜି       ରେ ରସନା ଅଜ୍ଞ,

ଜପ ହରିନାମ ସଦା            ସେହି ତପ ଯଜ୍ଞ । ୭ ।

 

ବଙ୍ଗଳାଶ୍ରୀ (୧୫)

ସଜ ହୁଅ ଭାଇ            ଆସୁଅଛି ଧାଇଁ

ମୃତ୍ୟୁ-ନିମନ୍ତ୍ରଣ ପତ୍ର,

ଆଜି କିବା କାଲି             ଯିବ ତହିଁ ଚାଲି

ଉଦ୍‌ଯାପି ଜୀବନ ସକ୍ର । ୧ ।

 

ପାଥେୟ ସଂଗ୍ରହ            କର ଅହରହ

ଆବର ସମନ ଭେଟି,

ଗଲେ ଖାଲି ହାତେ            ତର୍ଜିଣ ନିର୍ଘାତେ

ଘୋର ଦଣ୍ଡ ଦେବ ସେଟି । ୨ ।

 

ଧର୍ମ ବିନା ତାର            ଆନ ଉପହାର

ରୁଚିବ ନାହିଁ ମନକୁ,

ନ ଶୁଣିବ କାନେ             ସେ ତୋ ସ୍ତୁତି ଗାନେ

ଚାହିଁବି ନାହିଁ ଧନକୁ । ୩ ।

 

ଅତଏବ ଭାଇ            ହେକା କର ନାହିଁ

ଧର୍ମ-ଧନ ଉପାର୍ଜନେ,

ଲାଗ ଲାଗ ଲାଗ            ଜାଗ ଜାଗ ଜାଗ

ସେ ସୁଧନ ଅନ୍ୱେଷଣେ । ୪ ।

 

ରସକୂଲ୍ୟା (୧୬)

ହରି, ତୁମ୍ଭେ ପ୍ରାଣ-ପଙ୍କଜ-ରବି,

ପାତକ-ପର୍ବତ-ପ୍ରଚୁର୍ଣ୍ଣ-ପବି,

ମାୟା-ମହୀରୁହ-ମହାକୁଠାର,

ଭୀମ-ଭବ-ସିନ୍ଧୁ-ସୁକର୍ଣ୍ଣଧାର,

ଶାଶ୍ୱତ-ସତ୍ୟ-ସୁଧାମ ଯେ,

ଜରା ଜନ୍ମମୃତ୍ୟୁ            ଦୁଃଖ-ନିବାରକ

ତୁମ୍ଭରି ପବିତ୍ର ନାମ ଯେ । ୧ ।

 

ମତ୍ତ କରୀ ପରି      ଚଞ୍ଚଳ ମନ

କୁପଥେ ବିପଥେ      କରେ ଭ୍ରମଣ

ପ୍ରବୀଣ ମାହୁନ୍ତ      ପରାୟେ ହରି,

ବିବେକ-ଅଙ୍କୁଶ      ଆଘାତ କରି

ଫେରାଅ ସୁପଥେ ତାକୁ ଯେ,

ମର୍ମ୍ମାନ୍ତିକ ଦୁଃଖ            ଅନୁତାପବ୍ୟଞ୍ଜୀ

ଶୁଣି ପ୍ରଭୁ ମୋର କାକୁ ଯେ । ୨ ।

 

ବିଶୁଷ୍କ ହୃଦୟ-ବନେ ମୋହର,

ଦହେ ପାପ-ଦାବ ହୋଇ ପ୍ରଖର,

ଘଟିଲେ ବିଳମ୍ବ       ଘଡ଼ିଏ ଆଉ,

ଭସ୍ମ କରି ତାକୁ      ସାଧିବ ଦାଉ,

ଢାଳି ତହିଁ କୃପା-ଜଳ ଯେ,

ଚିର ନିର୍ବାପିତ            କରି ତାକୁ ହରି

କର ଶାନ୍ତ ସୁଶୀତଳ ଯେ । ୩ ।

 

ହେ ମଙ୍ଗଳଦାତା      ମଙ୍ଗଳାଳୟ,

କର ଏ ଜୀବନେ            ମଙ୍ଗଳମୟ,

କରୁ ନେତ୍ର ତବ            ରୂପ ଦର୍ଶନ,

କର୍ଣ୍ଣ କରୁ ସଦା       ନାମ ଶ୍ରବଣ,

ଏ ଭିକ୍ଷା ପଦେ ମୋହରି ଯେ,

ଉଚ୍ଚାରୁ ରସନା            ଜୀବ ଯିବାବେଳେ

ନିର୍ବିକାରେ ହରି ହରି ଯେ । ୪ ।

 

 

 

କରୁଣାଶ୍ରୀ (୧୭)

ଚକ୍ରଧର, ଚିତ୍ତୁଁ ନାଶି କର ଅରି ହେ ନୃକେଶରି,

ତୁମ୍ଭରି ଏ ଦେହ ପ୍ରାଣ      ତୁମ୍ଭରି ହେ ମନଜ୍ଞାନ

ତୁମ୍ଭେ ମୋର ଲକ୍ଷ୍ୟ ଧ୍ୟାନ       ତୁମ୍ଭ ବିନା ନାହିଁ ଆନ

ତବ ପଦ ଭବସିନ୍ଧୁ-ତରୀ ହେ । ୧ ।

 

 

ପୋଷା ପକ୍ଷୀ ମୁଁ ତୁମ୍ଭର ଶିଖାଇଛ ଯେଉଁ ସ୍ୱର

ମଣି ତା ଇଷ୍ଟ ମନ୍ତର      ଘୋଷୁଅଛି ନିରନ୍ତର,

‘‘ନାରାୟଣ ହରି’’ ବୋଲି କରି ହେ । ୨ ।

 

ବିନଶ୍ୱର ସୁଖ ଆଶେ       ତେଜି ଅନଶ୍ୱର ବାସେ

ବହୁ ଦିନୁ ଏ ପ୍ରବାସେ       ଭ୍ରମି ଭ୍ରମି ଊର୍ଦ୍ଧଶ୍ୱାସେ

ହେଲି ଅବସନ୍ନ ରଖ ହରି ହେ । ୩ ।

 

ତୁମ୍ଭେ ମୋର ମୁଁ ତୁମ୍ଭର କେବଳ ମୋହ ପାମର

ଘଟାଇଅଛି ଅନ୍ତର            ତହୁଁ ପରସ୍ପରେ ପର,

ନାଶ ତାକୁ ଯାଉ ଶର ସରି ହେ । ୪ ।

 

 

 

ରାମକେରୀ (୧୮)

ଅନନ୍ତ ନିତ୍ୟ ନିର୍ବିକାର

ଆହେ ମଙ୍ଗତାଧାର,

ବୁଦ୍ଧି ବଚନକୁ ବଳଇ

ତବ ଶକ୍ତି ଅପାର । ୧ ।

 

ତୁମ୍ଭେ ଦେଶକାଳ ଅତୀତ

ଧ୍ୟାନଧାରଣା-ସାଧ୍ୟ,

ନିଖିଳ ଜୀବନ ଦେବତା

ଦେବଦେବ ଆରାଧ୍ୟ । ୨ ।

 

ଅନାଥ ଆତୁର ତାରଣ

ଭବ-ଭୟ ବାରଣ,

ଆତ୍ମାକଳ୍ପ-କୁଞ୍ଜ-ବିଳାସୀ

ଅଶରଣ-ଶରଣ । ୩ ।

 

ସାରସ୍ୱତ ଚକ୍ଷୁ ନ ପାରେ

ଭେଦି ତୁମ୍ଭ ଶାମ୍ବରୀ

ଭବେ ତୁମ୍ଭେ ଲଗ୍ନ ଅଲଗ୍ନ

ଜଳେ ଜଳଜ ପରି । ୪ ।

 

ଦୀନ ମୁଁ ମୋଠାରେ ସାର୍ଥକ

ନାମ ହେ ଦୀନବନ୍ଧୁ,

ଝାଡ଼ି ଦେଇ ହୃଦ-ମନ୍ଦିରୁ

ପାପ ତାପ-ଅଳନ୍ଧୁ । ୫ ।

 

ନୈରାଶ୍ୟ-ତପ୍ତାଶ୍ରୁ ଢାଳିଣ

ପ୍ରଭୁ ତୁମ୍ଭ ଶ୍ରୀପଦେ,

କରୁଛି ଜଣାଣ ଯୋଡ଼ିଣ

କର ଭୟ-ଗଦ୍‌ଗଦେ । ୬ ।

 

ଅର୍ପିଲି ପରାଣ ଚରଣେ

ରକ୍ଷା କର ବା ମାର,

ନିଶ୍ଚିନ୍ତ ରହିଲି ତୁମ୍ଭଙ୍କୁ

ଅର୍ପି ବିଚାର ଭାର । ୭ ।

 

ବୈଠକୀ ସ୍ୱର (୧୯)

ପତିତ-ପାବନ ପ୍ରଭୁ ପରମ ଅୟନ,

ବାସନା-ବିଦ୍‌ଗଧ ପ୍ରାଣେ ତୁମ୍ଭେହିଁ ଚନ୍ଦନ । ପଦ ।

ନାହିଁ ତବ ଆତ୍ମପର            ନାମ ଧର ପରାତ୍ପର

ଗୁଣାତୀତ ଗୁଣାକର ଜ୍ଞାନର ତପନ । ୧ ।

 

ତୁମ୍ଭେ ମୁକ୍ତି ତୁମ୍ଭେ ଗତି ଶକ୍ତି ତୁମ୍ଭେ ମତି

ତୁମ୍ଭେ ବିଶ୍ୱ-ପ୍ରାଣପତି ସତ୍ୟ ସନାତନ । ୨ ।

ତୁମ୍ଭରି ମୂର୍ତ୍ତି ଅନଳ            ଅନିଳ ଶକ୍ତି ପ୍ରବଳ

ଉଚ୍ଛ୍ୱଳ ନେତ୍ର ଯୁଗଳ ଶଶାଙ୍କ ତପନ । ୩ ।

 

ସର୍ବବ୍ୟାପି ସର୍ବମୟ      ସର୍ବସ୍ରଷ୍ଟା ସର୍ବାଶ୍ରୟ

ବିନାଶ ମୋ ଭ୍ରମଭୟ ଶ୍ରେୟ-ନିକେତନ । ୪ ।

 

ଚୋଖୀ (୨୦)

ହେ ପ୍ରଭୁ ସୁରାରି-ଅରି       ବିପଦ କରି-କେଶରୀ

ଆଜୀବନ ମୁଁ ତୁମ୍ଭରି କ୍ରୀଡ଼ା-ପୁତ୍ତଳୀ,

ଯେତେବେଳେ ଯେଉଁପରି      ନଚାଅ ତୁମ୍ଭେ ଶ୍ରୀହରି

ତବ ଆଜ୍ଞା ଅନୁସରି ନାଚେ ସେଭଳି,

ମୁହିଁ ସିନା କମାରଯନ୍ତା,

ଚଳାଉଛି ମୋତେ      ତୁମ୍ଭ ମହାକ୍ଷମତା । ୧ ।

 

ଥାଉଁ ତୁମ୍ଭ ପରି ପିତା       ଦାରୁଣ ତ୍ରିତାପ-ଚିତ ।

ହୋଇ ହୃଦେ ଅଧିଷ୍ଠିତା ଦହେ ପ୍ରଖରୋ

ନ ବନ୍ଦାଅ ବାରମ୍ବାର      ହେ କରୁଣା -ପାରାବାର

ଏ ପାମର ଦୁରାଚାର କିଣାକିଙ୍କରେ,

ତବ ସୃଷ୍ଟି ମୁଁ, ମହାବାହୁ,

ଆସି ନାହିଁ ଆନ କାହା ସୃଷ୍ଟିରୁ କାହୁ । ୨ ।

 

ଦେଖି ରଙ୍ଗ ମାହାକାଳେ       ନ ଭୁଲିବି ଆଉ ଢାଳେ

ଚାଖିଛି ତା, ବାଳକାଳେ ବିଷାକ୍ତ ଅତି,

କାଳେ ସେ ଫଳଅଶନେ       ଦୂରଦୃଷ୍ଟର ଶାସନେ

ହରାଏଁ ବା ତୁମ୍ଭ ଧନେ ଆହେ ଶ୍ରୀପତି,

ଏହି ଏକା ଚିନ୍ତା ମୋହର,

ସେ ଚିନ୍ତା ହେ ଚିନ୍ତାମଣି କର ଅନ୍ତର । ୩ ।

 

ଧନାଶ୍ରୀ (୨୧)

ଛାଡ଼ ମୂଢ଼ ମନ            ଜାଗ୍ରତ ଶୟନ

ଫେଡ଼ ରେ ଜ୍ଞାନ-ନୟନ,

ଦେଖ ଦେଖ ଚାହିଁ            କି ବେଗରେ ଧାଇଁ

ଚାଲିଛି ତୋର ଜୀବନ,

ଘୋଡ଼ି ଆଶା-ଚାଦରେ,

ଆଉ ନ ଶୁଅ କାଳ-ଶେଯରେ । ୧ ।

 

ବିଷୟ-ମାଦକ            ପିଇଣ କାଳକ

ମେଣ୍ଟିଲା ନାହିଁ ପିପାସା,

ସେ ନିଶା ପ୍ରଗାଢ଼            ହେଲୁ ତୁ ଆସାଢ଼

ମୁଖୁଁ ନ ସ୍ଫୁରିଲା ଭାଷା,

ପଡ଼ିଯିବୁ ତୁ ହୁଡ଼େ,

ଦୁଇ ଦିନେ ଅନ୍ତକ ହାବୁଡ଼େ । ୨ ।

 

ସାର ତତ୍ତ୍ୱ ଭୁଲି            ଅପଥରେ ବୁଲି

ସାରିଲୁ ବୃଥା ଆୟୁଷ,

ଧାନେ ଅନାଦର            କରିଣ ପାମର

କୁଟୁଅଛି ବସି ତୁଷ,

ଆରେ ଅଜ୍ଞ ବାତୁଳ,

ସବୁ ତେଜି ଭଜ ଆଦିମୂଳ । ୩ ।

 

ଧନ ରତ୍ନ ସାର            ପୁତ୍ର ପରିବାର

ନ ଯିବେ କେହି ସଙ୍ଗର,

ଆସିଅଛୁ ଏକା            ଯିବୁ ଚାଲି ଏକା

ସେକାଳେ ସକଳେ ପର,

ଧର୍ମ କେବଳ ସାହା,

ଅନ୍ତେ ଦେଖାଏ             ସେ ସ୍ୱର୍ଗରାହା । ୪ ।

 

କାମୋଦୀ (୨୨)

ନିର୍ମାୟ ନିରଞ୍ଜନ            ନିଖିଳ ନିକେତନ

ନୈରାଶ୍ୟ-ଅନ୍ଧାର-ଦିହୁଡ଼ୀ

ପୁଣ୍ୟ ନାମ ତୁମ୍ଭର            ଯେସନ ରବିକର

ଘଉଡ଼େ ଅଜ୍ଞାନ-କୁହୁଡ଼ି ହେ ମହାବାହୁ !

ଦାତାପଣରେ ତୁମ୍ଭେ ସାର,

ଲୁବ୍‌ଧକ ମୁଁ ପାମର ଛାର,

ଦେଉଛି ତୁମ୍ଭେ ଯେତେ      ମାଗୁଛି ପୁଣି ତେତେ

ନ ପୂରେ ଲାଳସା ଦୁର୍ବାର ହେ ମହାବାହୁ । ୧ ।

 

ଦେଇଅଛ ଜୀବନ            ଆବର ଦେହ ଧନ

ଦେଇଛ ପ୍ରିୟ ପରିଜନ,

ସୁଧୀର ସମୀରଣ             ନୀଳକାନ୍ତ ଗଗନ

ପୃଥିବୀ ପାର୍ଥିବ ରତନ ହେ ମହାବାହୁ !

ଦେଇଛ ସୁଶୀତଳ ଜଳ,

ପାକାର୍ଥେ ପ୍ରଚଣ୍ଡ ଅନଳ,

ଦେଇଛ ଏତେ ହରି            ତେବେ ମୁଁ ଲୋଭ କରି

ମାଗୁଛି ଉଚ୍ଚେ ଅନର୍ଗଳ ହେ ମହାବାହୁ । ୨ ।

 

ଏଥି ତୃପ୍ତ ମୋହର       ହେବ ନାହିଁ ଅନ୍ତର

ଦେବାକୁ ହେବ ଆଉ କିଛି,

ତୁମ୍ଭଙ୍କୁ ନ ପାଇଲେ            ସଂତୃପ୍ତି ନାହିଁ ତିଳେ

ତୁମ୍ଭ ବିହୀନେ ସବୁ ଛି ଛି ହେ ମହାବାହୁ !

ତୁମ୍ଭେହିଁ ସ୍ୱରଗର ସ୍ୱର୍ଗ,

ଅପବର୍ଗର ଅପବର୍ଗ,

ଏଣୁ ମୁହିଁ ବାତୁଳ            ଲଭିବାକୁ ବ୍ୟାକୁଳ

ତୁମ୍ଭରି ପବିତ୍ର ସଂସର୍ଗ ହେ ମହାବାହୁ । ୩ ।

 

ଆଷାଢ଼ଶୁକ୍ଳ (୨୩)

କାହିଁ ଅଛ ହରି

ଦିଅ ଦର୍ଶନ

ଖୋଜି ଖୋଜି ହେଲି

ମୁଁ ଅବସନ୍ନ,

ଦେଖୁଅଛି ତବ

କାର୍ଯ୍ୟ ପ୍ରତ୍ୟହ,

ଭଞ୍ଜୁଅଛି ନିତ୍ୟ

ସୁ-ଅନୁଗ୍ରହ,

ମାତ୍ର କାହିଁ ପାଇଁ

 

 

ଦେଖୁ ନାହିଁ ପ୍ରଭୁ

ତୁମ୍ଭଙ୍କୁ କାହିଁ । ୧ ।

ମହିମା ତବ

ପ୍ରତି ନିଃଶ୍ୱାସରେ,

ସତତ ପ୍ରାଣେ

ଅନୁଭବ କରେ,

ତୁମ୍ଭରି କରୁଣା

ରକ୍ତ ରୂପରେ

ହୁଏ ପ୍ରବାହିତ

ମୋ କଳେବରେ

ସ୍ୱରୂପ ତଥାପି

 

 

ନ ପାଏଁ ଦର୍ଶନ

ହେ ବିଶ୍ୱବ୍ୟାପି । ୨ ।

ଦେଇଛ ଦେଉଛ

ସବୁ ଆପଣ,

ଦରଶନ ଦାନେ

କିପାଁ କୃପଣ,

ହେଲା କି ତୁମ୍ଭଙ୍କୁ

ଏହା ସୁନ୍ଦର,

ବିଚାର କର ହେ

ମନ୍ଦରଧର,

କି ବିଷମ କ୍ଷୋଭ,

 

 

ଗିରି ଦେଇ କଲ

ରେଣୁରେ ଲୋଭ । ୩ ।

ତୁମ୍ଭରି ସର୍ଜ୍ଜିତ

ପ୍ରତି ଦ୍ରବ୍ୟରେ,

ତୁମ୍ଭ ରୁପ ସଦା

ଦର୍ଶନ କରେଁ,

ପ୍ରତିସ୍ୱରେ ଶୁଣେ

ତୁମ୍ଭରି ସ୍ୱର,

ବାଞ୍ଛାନିଧି ପୂରୁ

ବାଞ୍ଛା ମୋହର

ମାଗେ ଅକିଞ୍ଚନ,

ହୃଦପଦ୍ମେ ମିଳୁ

ତବ ଦର୍ଶନ । ୪ ।

 

ଚିନ୍ତା ଭୈରବ (୨୪)

ପ୍ରଭୁ ଅମୃତ-:            ଜୀବନ-ଦାତା,

କୋଟି ବିଚିତ୍ର            ବିଶ୍ୱବିଧାତା,

ତୁମ୍ଭେ ସକଳର             ବନ୍ଦ୍ୟ ପ୍ରାଣେଶ୍ୱର

ତୁମ୍ଭେ ପିଅର ତୁମ୍ଭେହିଁ ମାତା ହେ

ଗୋବିନ୍ଦ । ୧ ।

 

ସାଧୁ ସେବା            ସାଧୁ ସହବାସେ,

କାଳ କଟୁ ମୋ            ସଦା ଉଦାସେ,

ଜୀବନ ଅତୀତ             ହେଉ ମୋର ପିତଃ

ବସି ପୀଡ଼ିତ ବ୍ୟଥିତ ପାଶେ ହେ

ଗୋବିନ୍ଦ । ୨ ।

 

ଭବୁଁ ଆସକ୍ତି            ହୋଇ ଅନ୍ତର,

ଲଭୁ ଚରଣେ             ଆଶ୍ରା ତୁମ୍ଭର,

ତବ ପଦତଳେ            ଅର୍ପି କର୍ମଫଳେ

କର୍ମ କରିବି ମୁଁ ନିରନ୍ତର ହେ

ଗୋବିନ୍ଦ । ୩ ।

 

ପ୍ରଭୁ ଦିଅ ଏ             ଅଭୟ ବର,

ଆର୍ତ୍ତେ ମାଗୁଛି             ଯୋଡ଼ିଣ କର,

ଅଭିମାନ-ବାଘ            ନ ବିଦାରୁ ରାଗ-

ବହି ଚରିତ୍ର-ମୃଗେ ମୋହର ହେ

ଗୋବିନ୍ଦ । ୪ ।

 

 

 

ଆତ୍ମନିବେଦନ

କଳଶା (୨୫)

ଅଧିକ କି ନିବେଦିତ

ହେ ଜଗତସ୍ୱାମି,

କି ଅବା ଅଜ୍ଞାତ ତବ

ଅଛି ଅନ୍ତର୍ଯ୍ୟାମୀ ।

ଜାଣ ତ ସକଳ ଦେବ,

ଅନ୍ତର ବେଦନା,

ତେବେ କିପାଁ ଦେଉଅଛ

ଦୁର୍ଭାର ଯାଚନା ।

 

 

ପୂର୍ବୁଁ ଜାଣିଥାନ୍ତି ଯେବେ

ମୋ କପାଳ ଫଟା,

ସାଧେ କି ମୁଁ ହୋଇଥାନ୍ତି

ଏତେ ହଟହଟା ।

ସଂସାରେ ତ କିଛି ମୋର

କାର୍ଯ୍ୟ ଥିଲା ନାହିଁ

ତୁମ୍ଭେ ସିନା ପେଷିଲାକୁ

ଆସିଥିଲି ଧାଇଁ ।

 

 

କାହିଁ ତୁମ୍ଭ ଆଦେଶ ତ

ପାଳି ନାହିଁ କିଛି,

ଭୁଲିଯାଇ ସେ ଆଦେଶ

ତୁଚ୍ଛାରେ ବସିଛି ।

ପୁଣି ଥରେ ଯେବେ

ମୋତେ ନ ଦେଇ ଚେତାଇ,

ତେବେ ବୃଥା ରଖିଅଛ

ଏଥି କାହିଁପାଇଁ ।

 

 

ଖପା ହୋଇଅଛି ପରା

ମୋ ପ୍ରତି ବିଶେଷ,

ଭ୍ରମେ ନ ପାଳିଲି ଯେଣୁ

ତୁମ୍ଭ ଶୁଭାଦେଶ ।

ଥରେ ଅଧେ ଉପଦେଶ

ଭୁଲିଗଲେ ଚାଟ,

ଗୁରୁ କି ଶିଖାନ୍ତି ନାହିଁ

ପାସୋରିବା ପାଠ ।

 

 

ତୁମ୍ଭେ ତ ଜଗତ-ଗୁରୁ

ନ ଜାଣ କି ତାହା,

ଆଉ ଥରେ ଭଲା ହୃଦେ

ବସି ଚଉବାହା,

କହିଦିଅ କି ଆଦେଶ

ପାଳିବି ତୁମ୍ଭର

ନ ଦେଖାଅ ଏ ଅଧମେ

ଆଉ ଏତେ ଡ଼ର ।

 

 

ଆଶାର କୁହୁକେ ପଡ଼ି

ବୁଲି ଏଠି ସେଠି,

କେତେ କାଳ ଯାଏଁ

ଆଉ ଖଟିଥିବି ବେଠି ।

ସଂସାର ଜଟିଳ ପଥେ

ପଡ଼ିଲିଣି ଥକି,

ଆଉ ମୋତେ କର ନାହିଁ

ଦୁଃଖର ଗହୁକି ।

 

 

ସମଦର୍ଶୀ ବୋଲି ତୁମ୍ଭେ

ଜଗତେ ବିଖ୍ୟାତ,

ତେବେ ମୋହପକ୍ଷେ କିପାଁ

ଏଡ଼େ ପକ୍ଷପାତ ।

କରୁଣା ଭଣ୍ଡାର ପରା

ଅକ୍ଷୟ ତୁମ୍ଭର,

ତେବେ କିପାଁ ବାଣ୍ଟିବାକୁ

ଥରୁଅଛି କର ।

 

 

କୃପାସିନ୍ଧୁ ନାମ ତୁମ୍ଭ

ଜଗତେ ବିଦିତ,

କିନ୍ତୁ ମୋହ ପକ୍ଷେ ତାହା

ପୂର୍ଣ୍ଣ ବିପରୀତ ।

ଭ୍ରାନ୍ତିର ଯଦ୍ୟପି ଦଣ୍ଡ

କଠୋର ଏସନ,

ତେବେ କିପାଁ ଦେଲଭୁଲା

ଦରଗଢା ମନ ।

 

 

ଗନ୍ତାଘରୁଁ ତାହା ତ ମୁଁ

ଆଣି ନାହିଁ ବାଛି,

ତୁମ୍ଭେ ସିନା ନିଜେ ନିଜେ

ଦେଇଥିଲ ଯାଚି ।

ତବ ଦତ୍ତ ଦ୍ରବ୍ୟ ଯେବେ

ଖାଣ୍ଟି ହେଲା ନାହିଁ,

କେଉଁ ଯୁକ୍ତି ବଳେ ହେବି

ସେଥିପାଇଁ ଦାୟୀ ।

 

 

ଅକୂଳ ଭବ-ସାଗରେ

ଦିଶୁ ନାହିଁ କୂଳ,

ଜୀବନ-ତରଣୀ ତହିଁ

ହେଉଛି ଆକୁଳ ।

 

 

ପାପ- ଭଉଁରୀ ଦର୍ଶନେ

ଭାବି ଭବିଷ୍ୟତ,

ରିପୁ -ତରଙ୍ଗ ଗର୍ଜ୍ଜନ

ଶୁଣିଣ ସତତ ।

 

 

ସୁବୁଦ୍ଧି ଶାରୀକୁ ମୋର

ଦୁରାଶା-ମାର୍ଜାର,

ଲାଙ୍ଗୁଳ ଫୁଲାଇ ଝାମ୍ପୁ-

ଅଛି ବାରମ୍ବାର ।

ସଙ୍କଟେ ସହାୟ ହୋଇ

ନାଶ ହୃଦୁଁ ଦକ,

ଆର୍ତ୍ତତ୍ରାଣ ନାମ ତବ

ହେଉ ହେ ସାର୍ଥକ ।

 

 

ଡାକି ଡାକି ତୁମ୍ଭଙ୍କୁ ତ

ତଣ୍ଟି ଗଲା ଫାଟି,

ଆଉ ମୁଁ ପାରିବି ନାହିଁ

କରି ଏତେ ପାଟି ।

ନିଷ୍ଠୁର ହୁଅନ୍ତ ଯେବେ

କି ଥିଲା ଆଉ କି,

କରନ୍ତି ଗୁହାରୀ କିପାଁ

କପାଳେ ନ ଠୁଙ୍କି ।

 

 

ମାତ୍ର ଦେଖୁଅଛି ତୁମ୍ଭ

କରୁଣା ଅପାର,

ବ୍ୟାପି ରହିଅଛି ସଦା

ଅସୀମ ସଂସାର ।

ଅତଏବ ନିର୍ଦ୍ଦୟ ବା

ବୋଲିବ କେମନ୍ତେ,

କିଏ ଅବା ମୋ କଥାରେ

କରିବ ପରତେ ।

 

 

ତୁନି ହେଲି ଏବେ ପ୍ରଭୁ

ଯାହା ଇଚ୍ଛା କର,

ହେଉ ପଛେ ଗୁରୁହାନି

ନ ହେବି କାତର ।

କିନ୍ତୁ ଦେବ ଏକ ଭିକ୍ଷା

ମାଗୁଛି ପୟରେ,

ଅଜାଡ଼ ଅଭାବ ଯାକ

ପଛେ ମୋ ଭାଗ୍ୟରେ,

 

 

ମାତ୍ର ମିଳୁଥାଉ ତୁମ୍ଭ

ନାମୀକୃତ ପାନ,

ଏହା ବିନା ମାଗୁଣି ମୋ

ନାହିଁ କିଛି ଆନ ।