Unknown

 

ସିଂହରାଜ

ଶ୍ରୀ ଚିନ୍ତାମଣି ମହାନ୍ତି

ସିଂହରାଜ

( ନଟବାଣୀ )

 

ଚକ୍ଷୁ ବହି ଆଜି

ହେଲି ଚକ୍ଷୁଷ୍ମାନ,

ହେରି ସିଂହରାଜ

ଚାରୁ ସାନୁମାନ ।

ଗଞ୍ଜାମେ ଏ ଗିରି

ତୁଙ୍ଗ ଅତିଶୟ,

ଉପବିନ୍ଧ୍ୟ କିମ୍ବା

ବାଳ ହିମାଳୟ ।

 

 

ଧରି ଉଭା ରାଜ-

ମୁକୁଟ ଆକୃତି,

ବିଶାଳତା ବଳେ

ହରିନିଏ ଧୃତି ।

ସ୍ଫୁରି ଦେହୁ ମହା-

ନିବିଡ଼ ନୀଳିମା,

ଆଚ୍ଛାଦିଣ ଦୂର

ହରିତାଳୀ ସୀମା,

 

 

ଅନନ୍ତ ଅନନ୍ତ

ନୀଳିମାରେ ମିଶି,

ବାରି ହେଉ ନାହିଁ

ଏକାକାର ଦିଶି ।

ନିରେଖିବା କ୍ଷଣି

ଗିରି ମହାନତା,

ଠେଲିଦିଏ ଦୃଷ୍ଟି-

ରେଖାକୁ ସର୍ବଥା ।

 

 

ଅନାୟତ୍ତେ ଆସେ

ନୟନ ନିମୀଳି,

ପକାଏ ବିସ୍ମୟ

ହୃତ୍କପାଟ କିଳି ।

ପର୍ବତପ୍ରପଦେ

ହୋଇ ଉପସ୍ଥିତ,

ଅସ୍ତ୍ରତୁଳନା ମୁଁ

କଲି ତା ସହିତ ।

 

 

ତୁଟିଗଲା ଖରେ

ଭ୍ରାନ୍ତିର ଝଟିକା,

ମଣିଲି ସେ ଗଜ,

ମୁହଁ ପିପୀଲିକା ।

କ୍ଷୁଦ୍ର ମୁହଁ, କ୍ଷୁଦ୍ର

ମୋର ଜ୍ଞାନସୀମା,

କଳିବ ବା କହୁଁ

ମହତ ମହିମା ।

 

 

ସେ ମହିମା ମହା-

ସାଗର ସଙ୍କାଶ,

ନର ମମକାର

ଦିଏ ତହିଁ ଝାସ ।

ଉତ୍ତାଳ ତରଙ୍ଗ-

ତାଣ୍ଡବ ନର୍ତ୍ତନ,

ସହିବାକୁ ତାର

ଭବେ କେ ଭାଜନ ?

 

 

ରୁକ୍ଷ ଦୂରାରୋହ

ଯେପରି ଶିଖରୀ,

ଦୂରାବରୋହ ସେ

ସୁଦ୍ଧା ସେହିପରି ।

ଦୌର୍ବଲ୍ୟ ଦିଦୃକ୍ଷା

ଗିରି ଆରୋହଣେ,

ସଞ୍ଚାରିଲେ ଦ୍ୱିଧା-

ଭାବ ମୋର ମନେ ।

 

 

ଦୌର୍ବଲ୍ୟ ତଳକୁ

ଦିଦୃକ୍ଷା ଉପରେ,

ଓଟାରିଲେ କ୍ଷଣେ

ଭୀଷଣ ବଳରେ ।

କିନ୍ତୁ ହେଲା ଶେଷେ

ଦିଦୃକ୍ଷାର ଜୟ,

ଆଣିଦେଲା ସେହୁ

ସାହସ ଅଭୟ ।

 

 

ଆରୋହିଲି ଗିରି

ଚେଜି ଅବହେଳା,

ବସିଛି ପର୍ବତେ

ଶୋଭା-ମହାମେଳା ।

ସଞ୍ଚାଳି ଦେଲା ସେ

ବୈଦ୍ୟୁତିକ ଶକ୍ତି,

ବୃଦ୍ଧିହେଲା କ୍ରମେ

ଗମନାନୁରକ୍ତି ।

 

 

ଲାଗିଲାକ ତହୁଁ

ପଅକ୍ଳେଶ ହ୍ରସ୍ୱ,

ଲାଗେ ହ୍ରସ୍ୱ ଯଥା

ଉତ୍ସବଦିବସ ।

ଉତ୍କଳେ ସଂକ୍ଷିପ୍ତ

ସାର ଏ ଗଞ୍ଜାମ,

ସିଂହରାଜ ତହିଁ

ଶୋଭା-ଶାଳଗ୍ରାମ ।

 

 

ଉତ୍କଳେ ଗଞ୍ଜାମ

ପୌର୍ଣ୍ଣମାସୀ ତିଥି,

ସିଂହରାଜ ପୂର୍ଣ୍ଣ-

ତୁଷାର-ଦୀଧିତି ।

ମଞ୍ଜୁଳା ଗଞ୍ଜାମ

ଶୋଭା-ସ୍ୱର୍ଗାପ୍‌ସରୀ,

ସିଂହରାଜ ତାର

ସୁନ୍ଦର କବରୀ ।

 

 

ଉତ୍କଳେ ଗଞ୍ଜାମ

ମିଶ୍ରକା ପ୍ରତୁଲ,

ଏ ଶିଖରୀ ତହିଁ

ପାରିଜାତ ଫୁଲ ।

ଶୋଭା-ଗ୍ରନ୍ଥେ ଗିରି

ସୁବୋଧିନୀ ଟୀକା,

ଶାଶ୍ୱତ ବସନ୍ତ-

ବିହାର-ବାଟିକା ।

 

 

ଭାବୁକ-କଳ୍ପନା-

କମଳ-ଭାସ୍କର,

ସୁନ୍ଦରପଣେ ସେ

ତାକୁ ପଟାନ୍ତର ।

ଦୁସ୍ତର ସାଗର

ପ୍ରାୟ ଗିରିବର,

କଳଲତା କହିଁ

ନୀଳ-ଶୈଳସ୍ତର ।

 

 

ମାଧୁରୀ ଦେଖାଇ

ହରେ ତୃଷ୍ଣା କ୍ଷୁଧା,

ବୋଳିଦିଏ ନେତ୍ରେ

ଅନୁରାଗ-ସୁଧା ।

ପ୍ରକୃତି-ସୁନ୍ଦରୀ

ରତ୍ନ-ଗନ୍ତାଘର,

କହେ କାନେ ଆତ୍ମ-

ବିସ୍ମୃତି ମନ୍ତର ।

 

 

ନର-ନେତ୍ରାତୀତ

ଲାବଣ୍ୟ ତା ଅଙ୍ଗେ,

ବିବିଧ ଭଙ୍ଗୀରେ

ନାଚେ ନାନାରଙ୍ଗେ ।

ଚିର ଅନାବିଳ

ସେ ଅମୃତ ଦୃଶ୍ୟ,

ବିସ୍ମୃତି ଶକ୍ତିରେ

ଅଜେୟ ଅଧୃଷ୍ୟ ।

 

 

ଧରେ ଗିରି କବି

ମୂର୍ତ୍ତି-ଚିନ୍ତାଶ୍ରିତା,

ରନ୍ଧ୍ରେ ରନ୍ଧ୍ରେ ତାର

ପୂର୍ଣ୍ଣ ସୁକବିତା ।

ବନକବି-ପକ୍ଷୀ

ଗାବନ୍ତି ସଙ୍ଗୀତ,

ଗାଏ ନିର୍ଝରିଣୀ

ହୋଇ ପୁଲକିତ ।

 

 

ମହାଭାବମୟ

ନୀରବ ଶ୍ଳୋକର,

ଆବୃତ୍ତିରେ ନିଜେ

ରତ ଧରାଧର ।

କେଡ଼େ ଅରୁଣିମା

ଗିରିପଥ ଧରେ,

ଭାସେ କି ବିଦ୍ରୁମ-

ବ୍ରତତୀ ସାଗରେ ।

 

 

ଅବା ନଗ-ଯୋଗୀ

ଭାଲେ ବିଶୋଭିତା,

ରକ୍ତ ଚନ୍ଦନର

ଊର୍ଦ୍ଧ୍ୱ ପୁଣ୍ଡ୍ର ଚିତା ।

ପଥ ଦେଖି ପାନ୍ଥେ

ଲାଗିବ ଛାନିଆ,

ଯଥା ଉଠାଣିଆ

ତଥା ଗଡ଼ାଣିଆ ।

 

 

ଅବଲୋକି ମୋତେ

ନବଅଭ୍ୟାଗତ,

ରବଛଳେ ଖଗେ

ପୁଚ୍ଛିଲେ ସ୍ୱାଗତ ।

ବିଞ୍ଚି ପର୍ଣ୍ଣାଞ୍ଚଳ

ସଞ୍ଚାଳନ ଛଳେ,

ହରିନେଲେ କର୍ମ-

ବାରି ତରୁଦଳେ ।

 

 

ଯୋଗାଇଲା କେହି

ସୁଧା-ସ୍ୱାଦୁ-ଫଳ,

ନିଶ୍ଚେ ସେ ଆଦର୍ଶ

ଅତିଥିବତ୍ସଳ ।

ସ୍ନିଗ୍‌ଧ ପୁଷ୍ପ ଗନ୍ଧ

କରି ବିତରଣ,

ଶ୍ରାନ୍ତି ସହ ମତି

କଲା କେ ହରଣ ।

 

 

ସ୍ୱଚ୍ଛୋଦ ନିର୍ଝର

ପଥ ବେନିପାଶେ,

ଶ୍ରୁତି ରସାୟନ

ସ୍ୱନେ ଝରିଆସେ ।

ଅଚଳ-ଦିଗ୍ଗଜ-

ଗଣ୍ଡୁ ମଦଧାର,

ପ୍ରବାହିତ ପ୍ରାୟ

ଦିଶେ ସେ ଉଦାର ।

 

 

ଅବା ତ୍ୟାଗୀ ହୃଦୁ

ଶାନ୍ତି ପ୍ରୀତି ଝରେ,

କିମ୍ବା ଉକ୍ତନେତ୍ରୁ

ପ୍ରେମାଶ୍ରୁ ପ୍ରସରେ ।

ଖଣ୍ଡୋପଳେ ସ୍ରୋତ

ହୋଇ ପ୍ରତିହତ

ସୁଜିଅଛି କାହିଁ

ପ୍ରପାତ ଉନ୍ମତ ।

 

 

ଧାତିକାରେ କାହିଁ

ନିମ୍ନେ କରେ ଗତି,

ନିମ୍ନଗା ଯେସନ

କୁତ୍ସିତର ମତି ।

ହେଲେହେଁ ଶିଖରୀ

ବାହାରେ କର୍କଶ,

ମାତ୍ର ତା ଅନ୍ତର

ସ୍ୱଭାବ ସରସ ।

 

 

ବିତରନ୍ତି ଯାର

କନ୍ୟାଏ ଜୀବନ,

ଜୀବନ ଦାନେ ସେ

ହେବ କି କୃପଣ ?

ପଥ ବେନି ଦିଗେ

ନିରାଟ ଅଟବୀ,

ଥାଉ ଆନ ଭେଦି

ନ ପାରିବ ପବି ।

 

 

ଭୀଷଣ ସେ, ମାତ୍ର

ସୁଷମା ନିଧାନ,

ଭୀଷଣତା ସିନା

ଶୋଭା ଉପାଦାନ ।

ନୋହିଥିଲେ ବିଦ୍ୟୁ

ବଜ୍ରାଗ୍ନି ସଙ୍କୁଳ,

ଦିଶନ୍ତା କି କେବେ

ଏ ରୂପେ ଚଟୁଳ ।

 

 

କାଳ-ଭୁଜଙ୍ଗମ

ଫଣା ଭୟଙ୍କର,

ନ ଦିଶେ କି ମଣି-

ପ୍ରଭାରେ ସୁନ୍ଦର ?

ଅଗଣିତ ତରୁ

ହୋଇଛନ୍ତି ଠିଆ,

କେହି ଦୀର୍ଘବପୁ

କେହି ବା ରୁଢ଼ିଆ ।

 

 

ପ୍ରଣମେ କାହାକୁ

କେହି ଶୋଇ ଲମ୍ବେ,

କେହି ଅବା ରତ

ପ୍ରେମପରିରମ୍ଭେ * ।

ପ୍ରବୀଣ ଏମାନେ

ପ୍ରେମ-ପୁରାଣରେ,

ତେଣୁ ପୂତପ୍ରେମେ

ମତ୍ତ ନିରନ୍ତରେ ।

 

* ଆଲିଙ୍ଗନ ।

 

 

 

ଅପାର୍ଥିବ ପ୍ରେମ-

ରସ ଆସ୍ୱାଦନ,

କରିବାକୁ ଏକା

ଏମାନେ ଭାଜନ ।

ପ୍ରେମରତ୍ନ ମୂଲ୍ୟ

ପ୍ରେମର ମହତ୍ତ୍ୱ,

ବୁଝନ୍ତି ଏମାନେ

ପ୍ରେମ ପୂଣ୍ୟ ତତ୍ତ୍ୱ ।

 

 

ସେ ପ୍ରେମ ସହିତ

ନାଗରିକ ପ୍ରେମ,

ଉପମିତ ଯଥା

ଲୌହ ସହ ହେମ ।

ପ୍ରେମ ନୁହେଁ ତାହା

ଯେ ପ୍ରେମ ଭଙ୍ଗୁର,

ଅମର ସଙ୍ଗେ କି

ତୁଳିତ ଅସୁର ?

 

 

ଆତ୍ମା-କୁସୁମ ଯେ

ନ ପାରେ ଫୁଟାଇ,

ପ୍ରେମ ନାମେ ତାର

ଅଧିକାର କାହିଁ ?

ନର ପ୍ରାଣେ ଯେହୁ

ଆଣେ ଅମରତା,

ପ୍ରେମ ନାମ ତାର

ସାର୍ଥକ ସର୍ବଥା ।

 

 

କେହି ତରୁ ଥୁଣ୍ଟା

କେହି ବା ଝାଙ୍କଡ଼ା,

କେହି ଲଗାଲଗି

କେହି ଅବା ଛଡ଼ା ।

ଗୁରୁପାଦେ ଶିଷ୍ୟ

ଖଟିଲା ପରାଏ,

ଉଚ୍ଚଶାଖିମୂଳେ

ଗୁଳ୍ମ ଶୋଭାପାଏ ।

 

 

ତ୍ରୋଟରାଗ୍ନି କାର

ଅନ୍ତସ୍ତଳ ଦହେ,

ତୃଷ୍ଣାନତ ଯଥା

ବିଷୟୀ ହୃଦୟେ ।

କାହିଁ ବା ‘‘ବଣିଆ

ଝଟା’’ କୁସୁମିତ,

ଭାସ୍କର୍ଯ୍ୟ ଭାସ୍ୱର

ମୁକୁଟ ମଣ୍ଡିତ ।

 

 

ଝଡ଼ିଯାଏ ତାର

ପୁଷ୍ପ ଆକାରଣ,

ନ କରନ୍ତି କେହି

ସୁରଭି ସେବନ ।

ଅଗ୍ରାହକ ରାଜ୍ୟ

ମଧ୍ୟରେ ସର୍ବଥା,

ସୁକବି ପ୍ରତିଭା

ଅନାଦୃତା ଯଥା ।

 

 

ବୁଝେ ସିନା ଗୁଣ

ଗୁଣରା-ଗ୍ରାହକ,

ଆନ ପକ୍ଷେ ତାହା

ତୁଚ୍ଛା ନିରର୍ଥକ ।

ଶୋଭା ରାଜ୍ୟ-ରାଣୀ

ବିବିଧ ବ୍ରତତୀ

ବସିଛନ୍ତି ଟେକି

ଶୋଭା-ପାଟଛତି ।

 

 

ଧରେ କେହୁ ବପୁ

କାଞ୍ଚନ-ଲାଞ୍ଛିତ,

ପ୍ରତେ ହୁଏ କେହି

ପ୍ରବାଳ-ନିର୍ମିତ ।

ପିନ୍ଧାଇଛି କେହୁ

ପାଦପେ କଟକ,

ମଣିଚକ ୧ ଜିଣି

ଦିଶେ ଜଳଜଳ ।

 

୧- ଚନ୍ଦ୍ରକାନ୍ତମଣି ।

 

 

ତାରା-କୁନ୍ତଳିନୀ

ତ୍ରିଯାମାର ଛଟା ।

ଟାଣିଛି ତୋରଣା

କେହି ପଥୋପରି,

କାହାର ଆକୃତି

ଦେବାଳୟ ସରି ।

 

 

ପଥେ ରମ୍ୟ ଦୃଶ୍ୟ

ଦେଖି ସ୍ତରେ ସ୍ତରେ,

ଉପନୀତ ହେଲି

ପ୍ରଥମ ଶିଖରେ ।

ଶିରା ଉପଶିରା

ପ୍ରାୟ ତହୁଁ ଝର,

ଝର୍ଝର ନିନାଦେ

ଝରେ ନିରନ୍ତର ।

 

 

ପକ୍ଷୀ କୋଳାହଳ

ତହିଁ ତାଳ ଦିଏ,

ପୃଥୁଳ କରନ୍ତି

ବେନିଙ୍କୁ ବେନିଏ ।

ସଂସାର ଆଦୂରେ

ସ୍ଥିତ ଏହି ଠାବ,

ଛାଡ଼ି ନାହିଁ ତେଣୁ

ସାଂସାରିକ ଭାବ ।

 

 

ନ ହେଉ ପଛେ ସେ

ତ୍ରିଦିବ ତୁଳନା,

ସୌନ୍ଦର୍ଯ୍ୟ ସନ୍ଦର୍ଭେ

ମାତ୍ର ନୁହେଁ ଊଣା ।

ସେ ଶୋଭା ସହିତ

ଯୋଗ୍ୟ ଉପମିତ,

ହେବାକୁ ଉପମା-

କୁଳ ପ୍ରଶଙ୍କିତ ।

 

 

ନାହିଁ ପାର୍ଥିବତା-

ଅସ୍ଥାୟୀ ହୁନ୍ଦର,

ତେଣୁ ସେ ପବିତ୍ର

ସ୍ୱଭାବ ସୁନ୍ଦର ।

ପ୍ରତିଦ୍ରବ୍ୟୁ ଝରି

ଶୋଭା ନିରବଧି,

ବହିଯାଏ ତହିଁ

ଶୋଭା-ସ୍ୱର୍ଣ୍ଣନଦୀ ।

 

 

ସେ ନଦୀରେ ଥରେ

ମାତ୍ର ଅବଗାହି,

ତୃପ୍ତ ହେବ କେଉଁ

ଶୋଭା-ସୁଧାପାୟୀ ?

ହେରି ଏ ମାଧୁରୀ

ଭାବୁକ ଭବୀନେ,

ନ ପାରିବେ ରଖି

ମନକୁ ସ୍ୱାଧୀନେ ।

 

 

ସୌନ୍ଦର୍ଯ୍ୟ ସ୍ୱଭାବ-

ଅଠାକାମ୍ପା ପରି, ୨

ମନୋନେତ୍ର-ଖଗେ

ଦୃଢ଼େ ନିଏ ଧରି ।

ଉଭୟର ସେହୁ

ସୁଖ-କାରାଗାର,

ଭୁଲାଏ ଯେସନ

ଇନ୍ଦ୍ରଜାଲିକାର ।

 

୨- ପକ୍ଷୀ ଧରିବା ଯନ୍ତ୍ର ।

 

 

 

ଘେନି ସଙ୍ଗେ ବହୁ

ବିଭୀତକୀ ସଖୀ,

ବସିଛି ଶିଖରେ

ରମ୍ୟା ହରିତକୀ।

ପଣ୍ଡିତ ଭର୍ତ୍ସନା

ପ୍ରାୟ ତାର ଫଳ,

ଆଦ୍ୟ କଷା, ଶେଷେ

ସାଧଇ ମଙ୍ଗଳ ।

 

 

ସୁନ୍ଦରୀ ୧ ସନ୍ନିଧି

କନ୍ୟା ରୂପ ଧରି,

ଉଭା କାହିଁ ଅବା

ଶୋଭାଙ୍ଗୀ ସୁନ୍ଦରୀ । ୨

ପରସ୍ପରେ ସ୍ପର୍ଶି

ଲମ୍ବିଛି ତମାଳ, ୩

ବରବଧୂ ସ୍କନ୍ଧେ

କି ସେ ଗଣ୍ଠିଆଳ ?

 

୧- ସୁନ୍ଦରରୁଣ୍ଡ ଗଛ । ୨- ସୁନାମପ୍ରସିଦ୍ଧ ବୃକ୍ଷ । ୩- ଲତାବିଶେଷ ।

 

ହେମଫଳେ ଧାତ୍ରୀ

ଦିଶେ ଜ୍ୟୋତିର୍ମୟ,

ଜ୍ୟୋତିର୍ମୟ ଯଥା

ସାତ୍ତ୍ୱିକ ହୃଦୟ ।

ଶାଖେ ବସି କେକୀ

ବହି ଶୋଭା-ଭୂତି,

ଇନ୍ଦ୍ରଧନୁ ଲୀଳା

କରେ ଅନୁକୃତି ।

 

 

ବାତେ ଇତସ୍ତତଃ

ହୁଏ ଚିତ୍ରପୁଚ୍ଛ,

ତଥାପି ବହାଏ

ସୁଷମାର ଭତ୍ସ ।

ସ୍ୱଭାବ ସୁନ୍ଦର

ପଦାର୍ଥନିକର,

ଯେ ଭାବରେ ଥିଲେ

ସେ ଭାବେ ସୁନ୍ଦର ।

 

 

କାହିଁ ବା କର୍କନ୍ଦୁ ୪

ଦାନରେ ବିଭୋର,

ବାଣ୍ଟେ ଆକାତରେ

ଫଳ ଝଙ୍କାଝୋର ୫ ।

ଦିଶଇ କୋଚିଳା

ବାହାରେ ସୁନ୍ଦର

ମାତ୍ର ଅନ୍ତର୍ଗତେ

ତିକ୍ତୁ ତିକ୍ତକର ।

 

୪ - ବରକୋଳି । ୫ - ପ୍ରଚୂର ।

 

 

 

ତୁଳନା ତାହାର

ସ୍ତାବକ ପ୍ରଶଂସା,

ପ୍ରଶଂସା ନୁହେଁ ସେ

କଟୁ ଲୋକହସା ।

ସ୍ୱଭାବେ ସେ ଗିରି

ବସନ୍ତି-ନିଳୟ,

ଦୁଯେ ବିଜେ ତହି

ବସନ୍ତ ସମୟ ।

 

 

ସୁଷମା ଉପରେ

ବର୍ଷୁଛି ସୁଷମା,

ଏ ଉତ୍ତାରୁ ତାକୁ

ଅଛି କି ଉପମା ।

ହେରି ସେ ଅପୂର୍ବ

ଚାରୁ ନବଠାଣି,

ସଲଜ୍ଜିତା ହେବେ

ସ୍ୱୟଂ ଶୋଭାରାଣୀ ।

 

 

ଭାରାକ୍ରାନ୍ତ ହୋଇ

ଭୂଷଣେ ଶାଳ୍ମଳୀ,

ବସନ୍ତ ଚରଣେ

ଅର୍ପେ ପୁଷ୍ପାଞ୍ଜଳି ।

ପ୍ରକୃତି ଦେବୀଙ୍କ

ସ୍ୱର୍ଣ୍ଣକଟକୋଳ ୬

ଧରି କର୍ଣ୍ଣିକାର

ଗୁମାନେ ବିଭୋଳ ।

 

୬ - ପିକଦାନୀ ।

 

 

 

ସୁନ୍ଦରୀ ଧାତକୀ

କରି ପରିପାଟୀ,

ଆବରିଛି ଅଙ୍ଗେ

ରଙ୍ଗ ପାଟଶାଟୀ ।

ଇନ୍ଦ୍ରନୀଳ ସହ

ଗୁନ୍ଥି ପଦ୍ମରାଗ,

ପିନ୍ଧିଛି ଡ଼ିମିରି

ବହି ଅନୁରାଗ ।

 

 

ଦନ୍ତୁରିତପତ୍ରା

ଧବଳ ଦନ୍ତାରୀ,

ଉଭା ରୂପ ସଙ୍ଗେ

ସୁହାସ୍ୟ ବିସ୍ତାରି ।

କରବାଳ କରେ

ଠିଆ ଫଣଫଣା,

କାହା ସହ ଦ୍ୱନ୍ଦୁ

ଇଚ୍ଛେ ତାକୁ ଜଣା ।

 

 

ବହେ ବହୁ ଦରୀ-

ଗର୍ଭେ ଧରାଧର,

କେହି ସୁବିଶାଳ

କେହି କ୍ଷୁଦ୍ରତର ।

ଅନ୍ଧକାରେ କେହି

ଆଣେ ମନେ ତ୍ରାସ,

ଯଆ ଅମାନିଶି

ସୁତିକା ନିବାସ ।

 

 

ଅଜଗରେ ଅବା

କାହାକୁ ସତତ

କରିଛନ୍ତି ଯମ-

ପୁରେ ପରିଣତ ।

କେହି ନିକାଞ୍ଚନ

ମହାଶୂନ୍ୟମୟ,

କେହି ବା ଶ୍ୱାପଦ-

ସୁଖ-ନିଦ୍ରାଳୟ ।

 

 

ଅତର୍କିତେ ତହିଁ

ପଶିଲେ ସହସା,

ଛାଡ଼ିଯାଏ ଧୈର୍ଯ୍ୟ

ଉଡ଼ିଯାଏ ହଂସା ।

ଶିଳା ପାଦପାଦି

ଯାହା ତହିଁ ସ୍ଥିତ,

ଭୀତି ଉପାଦାନେ

ସକଳେ ଜଡ଼ିତ ।

 

 

ମାତ୍ର ହେଉ ପଛେ

ଆନେ ଭୟଙ୍କର,

ଚିରବାଞ୍ଛିତ ସେ

ଯୋଗିଋଷିଙ୍କର ।

ଆବର ଭାବୁକ

ଦର୍ଶକର ପ୍ରିୟ,

ଢ଼ାଳେ ତାଙ୍କ ପ୍ରାଣେ

ଶୀତଳ ଅମିୟ ।

 

 

ସେ ରୁଦ୍ର ସୌନ୍ଦର୍ଯ୍ୟ

ସ୍ୱର୍ଣ୍ଣମୂଲ୍ୟ କତି,

ମଣନ୍ତି ଯେ ପ୍ରାଣେ

ଅକିଞ୍ଚିତ ଅତି ।

ପ୍ରକୃତିର ଯେହୁ

ଚିର ପରିଚିତ,

ନ ଚିହ୍ନନ୍ତି କେବେ

ଆନେ ତା ବ୍ୟତୀତ ।

 

 

ପ୍ରକୃତି ପାଖରୁ

ଘେନି ନିତ୍ୟ ସନ୍ଥ,

ପଢ଼ନ୍ତି ପ୍ରକୃତି

ସୁବିଶାଳ ଗ୍ରନ୍ଥ ।

ଖେଳନ୍ତି ନିତି ଯେ

ପ୍ରକୃତିର ସହ,

ପ୍ରକୃତି ସେବାରେ

ରତ ଅହରହ ।

 

 

ବୁଲନ୍ତି ପ୍ରକୃତି

ସ୍ତୁତି ସଦା ଗାଇ,

ସଂସାରେ ଚିହ୍ନି ଯେ

ଦିଅନ୍ତି ଚିହ୍ନାଇ ।

ପ୍ରକୃତିର ସେହି

ପଟ୍ଟଶିଷ୍ୟମାନେ,

ତେଜିବେ ସଂସାର

ନିରେଖି ଏ ସ୍ଥାନେ ।

 

 

ହୋଇ ଏହି ଦରୀ

ଓଁ କାର ଆବୃତ,

ଥିଲା ଦିନେ ତପୀ

ସହବାସେ ପୂତ ।

ଉଠୁଥିଲା ଯହୁଁ

କୋମଳ ଓଁ କାର,

ଉଠେ ତହୁଁ ଏବେ

ବିକଟ ହୁଙ୍କାର ।

 

 

ହୋମଧୂମେ ଯେହୁ

ଥିଲା ସୁବାସିତ,

ଏ କାଳେ ସେ ପଶୁ-

ମଳେ କଳୁଷିତ ।

ଧିକ କ୍ରୁରକାଳ-

କୁଟିଳ ବିଧାନ,

କାହା ଭାଗ୍ୟ କରେ

କାହାକୁ ପ୍ରଦାନ ।

 

 

ବଡ ବଳୀୟାର

କାଳର ଏ ଧାରା,

ଲଘିଂବ କାହାର

ଅଛି ଏଡ଼େ ଚାରା ।

ଅନାୟାସେ ସେହୁ

କରିପାରଇ ତ,

ମହତେ ଇତର

ସୁନ୍ଦିରେ କୁତ୍ସିତ ।

 

 

ରଖିଛି ସେ ସଦା

ସଯତନେ ସଞ୍ଚି,

ଅଖିଳ ଅନନ୍ତ-

ଭବ-ଭାଗ୍ୟ-କଞ୍ଚି,

କାଳ ଏକା ବିଶ୍ୱେ

ମହାଶକ୍ତି ବନ୍ତ,

ଉପାଡ଼ିପାରେ ସେ

ଶେଷ-ବିଷଦନ୍ତ ।

 

 

କରିପାରେ କାଳ

ସିଂହକୁ ଶୃଗାଳ,

ଅସାଧୁ କୁ ସାଧୁ

ବ୍ରାହ୍ମଣେ ଚଣ୍ଡାଳ ।

ପ୍ରକାଶୁ ଯେତେ ଯେ

କ୍ଷମତା ବଡ଼ାଇ,

ଦେବ ସବୁ କାଳ

ମୁହୂର୍ତ୍ତେ ଛଡ଼ାଇ ।

 

 

କାଳ ସ୍ରଷ୍ଟା ପାତା

କାଳହିଁ ନିୟନ୍ତା,

ଆୟୁ-ମୂଷିକର

କାଳ ମହାଯନ୍ତା ।

କାଳ ଚରାଚର

ବିଶ୍ୱ ଚକ୍ରବର୍ତ୍ତୀ,

ଉପସଂଜ୍ଞା ତାର

ଅଟଇ ନିୟତି ।

 

 

ବହୁଚୂଡ଼ ଗିରି

ପୃଥୁଳ ଉତ୍ତୁଙ୍ଗ,

ଧରିଅଛି ତୋଳି

ଶୃଙ୍ଗ ପରେ ଶୃଙ୍ଗ ।

ଇଂରାଜ ଶାସନ

ପ୍ରଭାତକାଳରେ,

ଲଭିଥିଲା ଖ୍ୟାତି

ଦୁର୍ଗମ ମାଳରେ ।

 

 

ବ୍ରିଟିଶ-ଭାସ୍କର

ଉଦୟ ସହିତ,

ହେଲା ତା ସୌଭାଗ୍ୟ

ରବି ସମୁଦିତ ।

ସମୁଦ୍ର ବୋଇତେ

ସେ କାଳେ ଶିଖରୀ,

ଖଟୁଥିଲା ରାତ୍ରେ

ଦୀପସ୍ତମ୍ଭ ପରି ।

 

 

ଗଞ୍ଜାମେ ସକଳ

ଭୂଧର ସମାଜ,

ମଧ୍ୟେ ଉଚ୍ଚତାରେ

ବଡ଼ ସିଂହରାଜ ।

ସେହି ଦିନୁ ଏହା

ହୋଇ ସପ୍ରମାଣ,

ଶିରୋଦେଶେ ହେଲା

ପ୍ରୋଥିତ ନିଶାଣ । ୧

 

୧ - ବ୍ରିଟିଶ ଶାସନ ପ୍ରାରମ୍ଭ ସମୟରେ ସିଂହରାଜ କିଛିକାଳ ସମୁଦ୍ର ଜାହାଜମାନଙ୍କର ବତୀଘର ସ୍ୱରୂପ ହୋଇଥିଲା । ସିଂହରାଜ ଯେ ଗଞ୍ଜାମର ସର୍ବୋଚ୍ଚ ପର୍ବତ, ଏହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଅଛି । ଗଞ୍ଜାମ ମେନୁଏଲରେ ଏହାର ଉଚ୍ଚତା ୪୯୭୬ ଫୁଟ ବୋଲି ଲିଖିତ ହୋଇଅଛି । ମହେନ୍ଦ୍ର ପର୍ବତର ଉଚ୍ଚତା ୪୯୨୮ ଫୁଟ ମାତ୍ର । ବର୍ତ୍ତମାନ ସିଂହରାଜ ‘‘ଧଣ୍ଡାମରା’’ ନାମରେ ପରିଚିତ ।

 

 

ବହିଲା ସେ ଦିନୁ

‘‘ଧଣ୍ଡାମରା’’ ନାମ,

ସିଂହରାଜ ଆଖ୍ୟା

ଭଜିଲା ବିଶ୍ରାମ ।

କିଛି ଦୂର ପଥ

କରନ୍ତେ ପ୍ରୟାଣ,

ଦିଶିଲା ଶୈଳର

ଆନ ଚୂଡ଼ାମାନ ।

 

 

ଲତା ଗୁଳ୍ମେ କେହି

ତ୍ରିପଣ୍ଡ କାଳିଆ,

ଦିଶେ ଖଉରିଆ

କେବଣ ମୁଣ୍ଡିଆ ।

କାହାର ଆକାର

କଚ୍ଛପ ସମାନ,

ତ୍ରିଝିଙ୍କ କେ ଚୂଡ଼ା

ଯେସନ ଉଦ୍ଦାନ । ୨

୨- ଚୂଲି ।

 

 

 

କାହିଁରେ ଅତଣ୍ଡୀ

ମାଡିଅଛି ବହୁ,

ଶୁଣ୍ଡୀ ଶୁଣ୍ଡେ ମୁଣ୍ଡେ

ଯଥା ଫୁଲ ଛଉ ।

କାହା ପାଶେ ଘୂରି

ଘନ ଧରି ବାଗ,

ବାନ୍ଧିଦିଏ ଶିରେ

ରୂପାଜରି ପାଗ ।

 

 

କେହି ବନବୀର-

ବାନର ହୁଙ୍କାରେ,

ଉଛୁଳି ପଡ଼ୁଛି

ଘନେ ବାରେ ବାରେ ।

କାହିଁକି ବା ସୁସ୍ୱରେ

ଶିସାରେ ମହୁଆ ୧

ପଳାନ୍ତି ଯା ଶୁଣି

ଆର୍ତ୍ତେ ମୃଗଛୁଆ ।

 

୧- ବୃହତ୍ତ୍ ପକ୍ଷୀବିଷେଶ । ସ୍ୱର ଅତି ମଧୁର । ଏହାର ମସ୍ତକରେ ଚୂଡ଼ା ଅଛି ।

 

 

ବାକ୍ୟ ମାଧୁରୀରେ

ମୋହେ ସେ ଅରାତି,

ମାତ୍ର ବ୍ୟବହାରେ

ବଡ଼ ଦାଉଘାତୀ ।

ସ୍ୱର ଲୋଭେ ମୃଗ-

ଶାବକେ ବାହାରି

ଆସନ୍ତେ ଖାଏ ସେ

ଆଖି ଖୋଜି ମାରି ।

 

 

ଦେଇଛି ବରାହ

କାହିଁ ଅଗ୍ନି ଜାଳି ୨

କାହିଁ ଅବା ଘନ

ଖେଳେ ଲୁଚକାଳି ।

ଉଡ଼ା ଦ୍ୱୀପପ୍ରାୟ

ବାରିବାନୁକୁଳେ,

ଖେଳୁଛନ୍ତି ଚକି-

ମାରି କେଉଁ ଚୁଳେ ।

 

୨- ଦନ୍ତାଳ ବରାହମାନଙ୍କ ଦନ୍ତ ଶୁଳେଇ ହେଲେ ସେମାନେ ଦନ୍ତଦ୍ୱାରା ବୃହତ୍ତ୍ ପ୍ରସ୍ତରଖଣ୍ଡ ଉପରକୁ ଫୋପାଡ଼ି ଦେଇ ତାହା ଗଡ଼ି ଆସିବା ସମୟରେ ପୁନଶ୍ଚ ଦନ୍ତରେ ଧାରଣ କରନ୍ତି । ପ୍ରସ୍ତର ଏବଂ ଦନ୍ତର ସଂଘର୍ଷଣରେ ଅଗ୍ନିକଣା ଉତ୍ପାଦିତ ହୁଏ । ସେହି ଅଗ୍ନି ଶୁଷ୍କ ପତ୍ରରେ ଲାଗି ପ୍ରଚଣ୍ଡ ଦାବାନଳରେ ପରିଣତ ହୁଏ ।

 

ବେନି ଉପଚୁଡ଼ା

ପ୍ରାୟ ପୃଢ଼ ୩ ବେନି,

ଗଡ଼ି ଆସୁଛନ୍ତି

ନିମ୍ନେ କାଠ ଘେନି ।

ଉପଯମ ପ୍ରାୟେ

କ୍ରୁର ଦୃଷ୍ଟି ପାତେ,

ଅର୍ପୁଥାନ୍ତି ଭୀତି

ଗତିପଥେ ପାନ୍ଥେ ।

 

୩- ଅଣ୍ଡିରା ମହିଷ ।

 

 

 

ସପ୍ତଶୃଙ୍ଗୋପରି

ବିଶାଳ ପ୍ରାନ୍ତର,

ଝରେ ତହିଁ ପୂତ

‘‘ତପ୍ତ ପାଣି ଝର’’ ।

ଗନ୍ଧକ ଗନ୍ଧରେ

ସେ ସ୍ଥାନର ବାୟୁ,

ଚିର ବିନିର୍ମଳ

ବୃଦ୍ଧି କରେ ଆୟୁ ।

 

 

କଳି ନୁହେଁ ବନ

ବିପୁଳ ବିସ୍ତାର,

ପ୍ରକୃତି-ସମ୍ରାଜ୍ଞୀ

ମହା ଦରବାର ।

ମାଘ ମାସର ସେ

ଚିର ପ୍ରିୟସ୍ଥଳ,

ଲୋଡ଼ା ତହିଁ ସୁଦ୍ଧା

ନିଦାଘେ କମ୍ଭଳ ।

 

 

ସଂସାର ସେ ସ୍ଥାନେ

ଦୂରରୁ ଜୁହାରେ,

ତେଣୁ ତା ଦୌରାତ୍ମ୍ୟ

ନ ଖଟେ ସେଠାରେ

ନାହିଁ ତହିଁ ଭବ-

ସମ୍ବନ୍ଧିନୀ ମାୟା,

ଅଥବା ପାପର

ବିଭୀଷଣ ଛାୟା ।

 

 

ନାହିଁ ସଂସାରର

ଅତୃପ୍ତ ପିପାସା,

ନାହିଁ ଶୂନ୍ୟଗର୍ଭା

କୁହୁକିନୀ-ଆଶା ।

କାମନା-ଅନଳ

ଉତ୍ତାପ ପ୍ରଖର,

ଛୁଇଁ ପାରେ ନାହିଁ

ସୀମା ସେ ସ୍ଥାନର ।

 

 

ବିଷାଦ-ତରଙ୍ଗ

ଭୀଷଣ ବିଳାସ,

ପଶିପାରେ ନାହିଁ

ଭୟେ ତାହା ପାଶ ।

ବାସନା-ଭୁଜଙ୍ଗୀ-

ଲୋଭ-ମହାମଣି,

ନାହିଁ ତହିଁ, ଯେଣୁ

ନୁହେଁ ସେ ଧରଣୀ ।

 

 

ସେ ସ୍ଥାନ ନିର୍ଜନ

ନିସ୍ତବଧ ଅତି

ପ୍ରକୃତିସ୍ଥ ତହିଁ

ହୁଏ କ୍ଷପ୍ତ ମତି ।

ଅନ୍ଧାର ଦେଉଳ

ପ୍ରାୟ ପୁଞ୍ଜ ପୁଞ୍ଜ,

ବନ ମଧ୍ୟେ ରାଜେ

ରମ୍ୟ ଲତାକୁଞ୍ଜ ।

 

 

ଲତା କାନ୍ଥ ଲତା

ଚାଳେ ସେ ନିର୍ମିତ,

ସରି ନୁହେଁ ମଣି-

ହର୍ମ୍ୟ ତା ସହିତ ।

ଦୁର୍ଲଭ ଯେ ରତ୍ନ

ନୃପତି ଭଣ୍ଡାରେ

ସୁଲଭ ସେ ଶାନ୍ତି

ଏକା ସେହିଠାରେ ।

 

 

ସ୍ୱାଧୀନତା ଦେବୀ

ମୁକ୍ତଭାବେ ତହିଁ,

କରୁଛନ୍ତି କ୍ରୀଡ଼ା

ନିକାଞ୍ଚନେ ରହି ।

ସାରସ୍ୱତ ଋଷି-

ବାଞ୍ଛିତ ସେ କୁଞ୍ଜ,

ମାଡ଼ିଅଛି ତହିଁ

ନାନାଛନ୍ଦେ ଗୁଞ୍ଜ ।

 

 

ଭବେ ମର୍ମଭେଦୀ

ମହା ହାହାକାର,

ମଧ୍ୟରେ ସେ କୁଞ୍ଜ

ଶାନ୍ତିର ଆଗର ।

ସଂସାର ଗହଳେ

ସେହୁ ସୁଖସ୍ୱର୍ଗ,

ତାହା ପାଶେ ସିନା

ତୁଚ୍ଛ ଅପବର୍ଗ ।

 

 

କେଉଁ କୁଞ୍ଜ ଅବା

ଲଇ ବାହାଡ଼ାରେ ୧

ବୈଦୁର୍ଯ୍ୟ ପ୍ରବାଳ

ଆଭାକୁ ଧିକ୍‌କାରେ ।

କାହା ଶରେ ଅବା

ଅତି ଘଞ୍ଚାଳିଆ,

ବନ୍ଧା ହୋଇଅଛି

ଲତା ଛାମୁଣ୍ଡିଆ ।

 

୧- ଲତାବିଶେଷ । ଏହି ଲତା ହରିତ ଏବଂ ରକ୍ତବର୍ଣ୍ଣ ପତ୍ରରେ ଆମୂଳଚୁଳ ମଣ୍ଡିତ ।

 

 

ଇନ୍ଦୀବର ଶ୍ୟାମା

କାହିଁ ଗିରିବର୍ଣ୍ଣୀ ୨,

ସହ ଏକାସନେ

ବିଜେ ମୁଦ୍ଗପର୍ଣ୍ଣୀ ୩।

ତରତୀ ଜଟିଳା-

ଦଦୟା ତାପସୀ,

ଆଚରେ ତପସ୍ୟା

କେଉଁ କୁଞ୍ଜେ ବସି ।

 

୨- ଅପରାଜିତା ।

୩ - ବଣମୃଗଲତା ।

 

 

 

ମୃଗ ମୃଗୀର କେ

ଅଭୟ ଆଗାର,

କା ମଧ୍ୟେ ରୋମନ୍ଥେ

ରତ କୃଷ୍ଣସାର ।

ଶାବକନିକର

କରୁଛନ୍ତି ଲାସ୍ୟ,

କେବେ କୁଶେ, କେବେ

ଦୁବେ ମାରି ଆସ୍ୟ ।

 

 

ଉଠେ କେଉଁ କୁଞ୍ଜୁ

ବିହଗ କାକଳି,

ଲାଳିତ୍ୟରେ ଯିବ

ପାଷାଣ ତରଳି ।

ଦୁର୍ମୂଖ ବାୟସ

କଟୁଗୀତ ଗାଇ,

ସେ ଲାଳିତ୍ୟେ ଦିଏ

କାର୍କଶ୍ୟ ମିଶାଇ ।

 

 

ବାଚଂଯମ ୪ ଭୂତି

ବହି ମଧୁଦୂତ,

ବେଳେ ବେଳେ କେବେ

କରେ ମଧୁଋତ ।

ଅଦୂରେ କଜ୍ଜଳ-

ପତ୍ରୀ ଧରି ଧାରା,

ଝଙ୍କାରି ବଜାଏ

କଣ୍ଠ-ଏକତାରା ।

 

୪- ମିତଭାଷୀ ।

 

 

 

ବିଷାଦ-ନୈରାଶ୍ୟ-

ବିଜଡ଼ିତ ସ୍ୱରେ,

କାହିଁ ବା କୁରରୀ

ଉଚ୍ଚେ ନାଦକରେ ।

ଗିରିଦେବୀ ସହ

ବନଦେବୀଗଣେ,

ବସି ଏହି କୁଞ୍ଜେ

ଲତା-ଦୋଳାସନେ,

 

 

ଥାଆନ୍ତି ନିଭୃତେ

ଦୋଳିଖେଳେ ରତ,

ଲଭି ପରସ୍ପରେ

ଆଳାପେ ଉଷତ ।

ଦୃଢ଼େ ବିଛୁଆତି

ବେଢ଼ିଛି ତୁଳସୀ,

ତାପସୀକୁ ଆହା

ଗ୍ରାସେ କି ରାକ୍ଷସୀ ।

 

 

ଫଳପତ୍ର ଭଭେ

ବିଷଦିଗ୍‌ଧ ତାର,

ଯଥା ଦୂରାତ୍ମାର

ବାକ୍ୟ ବ୍ୟବହାର ।

ଉଚ୍ଚ ବୃକ୍ଷଚୁଳେ

ବସି ଶାରୀ ଶୁକ,

କେ ଜାଣି କିମ୍ପାଇ

ହୋଇଛନ୍ତି ମୂକ ।

 

 

ନ ମଣନ୍ତି ସୁଖ

ସେ ଆପଣା କଥା,

ଆତ୍ମଦର୍ଶୀ ସାଧୁ

ଆତ୍ମଶ୍ଳାଘା ଯଥା ।

ତପ୍ତ ପାଣିକୁଣ୍ଡେ

ପୂର୍ଣ୍ଣ ତପ୍ତଜଳ,

ପର୍ବତର କି ସେ

ନୟନ ଉଜ୍ଜ୍ୱଳ ।

 

 

ଅଥବା ଉନ୍ନତ

ଏହି ସାନୁ ମାନ

ନ ପାଇ ଉନ୍ନତି-

ଆସନରେ ସ୍ଥାନ,

ଖେଦେ ତପ୍ତ ଅଶ୍ରୁ

ଦେଉଅଛି ଢାଳି,

ଆତ୍ମ ଅପମାନ

ନ ପାରି ସମ୍ଭାଳି ।

 

 

ଉଠୁଛି ବୁଦ୍‌ବୁଦ

ଯଥା ଗୁନ୍ଥାମୋତି,

ଅବା ଗିରିନେତ୍ରୁ

ବହିର୍ଗତ ଜ୍ୟୋତି ।

ଜିଣିବ ସେ ଜଳ

ସ୍ଫଟିକେ ନିର୍ଦ୍ୱନ୍ଦେ,

ମାତ୍ର ସମାଯୁକ୍ତ

ଗନ୍ଧ ଶିଳା ଗନ୍ଧେ ।

 

 

ସଂସାର ପ୍ରାୟ ସେ

ବାହାରେ ଉଷ୍ଣଳ,

ମାତ୍ର ସୁଶୀତଳ

କୁଣ୍ଡ ଅନ୍ତସ୍ତଳ ୫ ।

ମାତୃଭୂମି କୋଳ

ପ୍ରାୟ ହୁଏ ପ୍ରତେ,

ଶରୀରେ ତା ଜଳ

ପ୍ରବର୍ତ୍ତେ ରକତେ ।

 

କ୍ଷେତ୍ରେ ସିଞ୍ଚି ତାହା

କୃଷୀବଳଚୟ,

କୀଟ ଉପଦ୍ରବୁ

ରୁହନ୍ତି ନିର୍ଭୟ ।

ଆରୋଗ୍ୟ ସଲିଳ

ବୋଲି ନାମ ଖ୍ୟାତ,

ଜଳ ନୁହେଁ ଏହା

ବନୌଷଧି କ୍ୱାଥ ।

 

 

ବନବାସ କାଳେ

ରାମ ମହାଯଶା,

ସତତ ଭାରତ-

ଗୌରବ-ଭରସା,

କରିଥିଲେ ଏଥି

ତ୍ରିରାତ୍ର ଅତୀତ,

ସେବକ ଲକ୍ଷ୍ମଣ

ଜାନକୀ ସହିତ ।

 

 

ଶଙ୍କର ପୂଜାରେ

ରାମଙ୍କର ପ୍ରୀତି,

ବନେ ମୂର୍ତ୍ତି ସ୍ଥାପି

ପୂଜୁଥାନ୍ତି ନିତି ।

ଜଳାୟେ ଶିବ-

ମୂର୍ତ୍ତି ଅନ୍ୱେଷଣେ,

ପଠାଇଲେ ରାମ

ଅନୁଜ ଲକ୍ଷ୍ମଣେ ।

 

 

ମାତ୍ର ଖୋଜି ଖୋଜି

କାହିଁ ସେ ନପାଇ,

ବସିଲେ ଏଠାରେ

ଶ୍ରାନ୍ତିନାଶ ପାଇଁ ।

କୁଳ-ଅଧିଦେବୀ

ଜାହ୍ନବୀଙ୍କି ବୀର,

ସୁମରିଲେ କରି

ଚିତ୍ତବୃତ୍ତି ସ୍ଥିର ।

 

 

ସ୍ମରୁ ସରୁ ଅତି

ଅତର୍କିତ ଭାବେ,

ଧନୁହୁଳେ ଦେଲେ

ଲେଉଟାଇ ଗ୍ରାବେ ।

ଆଚମ୍ବିତ ତହୁଁ

ହେଲେ ଆବିର୍ଭୂତା,

ଧରି ଦିବ୍ୟରୂପ

ଜହ୍ନୁ ଋଷି-ସୁତା ।

 

 

ପ୍ରଣମନ୍ତେ ବୀର,

ଉଠାଇ ସତ୍ୱରେ

ଆଶିଷି ଭାଷିଲେ

ଦେବୀ ସୁଧାସ୍ୱରେ ।

ଆସିଲି ମୁଁ ବତ୍ସ

ତୋହର ସ୍ମରଣେ,

କର୍କରା-କଳୁଷ

ଏହି ଶୈଳାରଣ୍ୟେ ।

 

 

ଆଜିଠାରୁ ଏଥି

ମୋର ଏକ ଶକ୍ତି,

ତୋହ ସୃଷ୍ଟ କୁଣ୍ଡେ

କରିବେ ବସତି ।

ତନବଳା ସ୍ନାନେ

ପୂତ ହେବ କୁଣ୍ଡ,

ତୀର୍ଥମଣି ଏଥି

ହେବେ ଲୋକେ ରୁଣ୍ଡ ।

 

 

ଏ ସଲିଳ ସ୍ନାନେ

ଏ ସଲିଳ ପାନେ,

ହେବେ ନିରାମୟ

ଚିର ରୋଗୀମାନେ ।

ଏ ପର୍ବତେ ବାବୁ

ନାହାନ୍ତି ଗୀର୍ବାଣ,

ଶରେ ଶିବମୂର୍ତ୍ତି

କର ତୁ ନିର୍ମାଣ ।

 

 

ଏହା ଭାଷି ଦେବୀ

ହେଲେ ଅନ୍ତର୍ହିତ,

କୁଣ୍ଡ, ଉଷ୍ଣଜଳ

ହେଲାକ କ୍ଷରିତ ।

ରଚି ଶକ୍ତି ଲିଙ୍ଗ

ସୌମିତ୍ରି ତକ୍ଷଣେ,

ଜଣାମଣା କଲେ

ଅଗ୍ରଜ ଚରଣେ ।

 

 

ଗଙ୍ଗା ଆବିର୍ଭାବ

ଶୁଣି ଦାଶରଥି,

ମହାନନ୍ଦେ ଯାଇ

ସ୍ନାନ କଲେ ତଥି ।

ଅନୂଜ ବିଶିଖ-

ଖୋଦିତ ମହେଶେ,

ସଂସ୍ଥାପିଲେ ତହିଁ

ଜାହ୍ନବୀ ଆଦେଶେ ।

 

 

ଧରନ୍ତି ସେ ଶିବ

ନାମ ବୁଦ୍ଧେଶ୍ୱର,

ମହିମା ତାଙ୍କର

ସର୍ବତ୍ର ଗୋଚର ।

ସେକାଳେ ପ୍ରସିଦ୍ଧି

ଲଭିଥିଲା ଉତ୍ସ,

ଭାଗ୍ୟଦୋଷେ ଏବେ

ହୋଇଅଛି ତୁଚ୍ଛ

 

 

ଦୂର ଦୂରାନ୍ତରୁ

ଆସି ଯାତ୍ରୀମାନ,

ପୂଜୁଥିଲେ ତାଙ୍କୁ

ଦେବତା ସମାନ ।

ସ୍ୱାସ୍ଥ୍ୟ ସମ ସୁଖ

ନାହିଁ ତ୍ରିଜଗତେ,

ସ୍ୱାସ୍ଥ୍ୟହିଁ ପରମ

ପୂଣ୍ୟ ଶାସ୍ତ୍ରମତେ ।

 

 

କରିପାରେ ଯେହୁ

ସେ ପୂଣ୍ୟ ପ୍ରଦାନ,

ଦେବତାଠାରୁ ସେ

ବଳି ମହୀୟାନ ।

ଜଗତେ ଯା କିଛି

ଦେହୀ ବା ଅଦେହୀ,

ନୁହନ୍ତି ଈଶ୍ୱର-

ସତ୍ତାଶୂନ୍ୟ କେହି ।

 

 

ଯହିଁ ବିଦ୍ୟମାନ

ବିଶ୍ୱଦେବ ସତ୍ତା,

ସେହି ପୂଜାସ୍ପଦ

ସେହି ତ ଦେବତା ।

ଲକ୍ଷ ଲକ୍ଷ ଲୋକ

ଆସିଣ ଏ ସ୍ଥାନେ,

କରୁଥିଲେ ଆତ୍ମା

ତୃପ୍ତ ଏଥି ସ୍ନାନେ ।

 

 

ଗଞ୍ଜାମେ ଏ ଝର

ଧନ୍ୱନ୍ତରୀ ପ୍ରାୟ,

ନ ବୁଝେ କେ ଗୁଣ

ଏ କାଳରେ ହାୟ !

ବୁଝୁଛନ୍ତି ମାତ୍ର

ବିଦେଶୀ ନିକର,

କରୁଛନ୍ତି ଝର

ଜଳେ ସମାଦର ।

 

 

ମାତ୍ର ଥିଲେ ସୁଦ୍ଧା

ଝର ନିଜ ଘରେ,

ନ ଚିହ୍ନନ୍ତି କେହି

ଅଯୋଗ୍ୟ ପଣରେ ।

ଥିଲେହେଁ କସ୍ତୁରୀ

ମୃଗ ନାଭିଦେଶେ,

ଭ୍ରମେ ଇତସ୍ତତଃ

ସେ ଗନ୍ଧ ଅନ୍ୱେଷେ ।

 

 

ଘଟିଛି ସେ ଦଶା

ଏ ଦେଶେ କେବଳ,

କୁଗ୍ରହ କିମ୍ବା ଏ

ଅଭିଶାପ ଫଳ ।

ଥିଲେ ରେ ନିର୍ଝର

ତୁହି ସଭ୍ୟଦେଶେ,

ପାଉଥାନ୍ତୁ ପୂଜା

ତୀର୍ଥ ନିର୍ବିଶେଷେ ।

 

 

ହେଇଥାନ୍ତା ଆହା

ମହା ମୂଲ୍ୟବାନ,

ତୋ ସଲିଳ ସ୍ୱର୍ଣ୍ଣ-

ସଲିଳ ସମାନ ।

କରିଥାନ୍ତୁ କେତେ

ଦରିଦ୍ରେ କୁବେର,

ମପା ହେଉ ଥାନ୍ତା

ଜଳ ସେର ସେର ।

 

 

କୋଟି କୋଟି ମଣି

ହୀରା ମୁକ୍ତା ପୁଣି,

ପଦପ୍ରାନ୍ତେ ତୋର

ହେଉଥାନ୍ତା ବୁଣି ।

ସ୍ୱଦେଶେ ବିଦେଶେ

ତୋହ ନାମେ ବାଜା,

ବଜାଉଣଥାନ୍ତେ

କି ପ୍ରଜା କି ରାଜା ।

 

 

ମାତ୍ର ରହି ଏହି

ଭାଗ୍ୟହୀନ ଦେଶେ,

ସମଦଶାପନ୍ନ

ହେଲୁ ତୁହି ଶେଷେ ।

ଶ୍ମଶାନ ତୁଳସୀ

ପରି ଏ ପର୍ବତେ,

ଅରଣ୍ୟାନୀ ମଧ୍ୟେ

ରହିଛୁ ଗୁପତେ ।

 

 

ତୋହ ପରି ଏକା

ଦୁର୍ଭାଗ୍ୟ ପ୍ରବଣ,

ଦେଉଳ ନିର୍ଝର ୧

ଅଟ୍ରିପ୍ରସ୍ରବଣ । ୨

ତିନିଙ୍କର ଏକା

ଦାରୁଣ ଅଦୃଷ୍ଟ,

ଏକା ମୃତ୍ତିକାରେ

ହୋଇଅଛି ସୃଷ୍ଟ ।

 

୧- ଆଠ ମଲ୍ଲିକର ପଞ୍ଚଧାର ପର୍ବତ ପାଦଦେଶରେ ‘‘ଦେଉଳ ଝର’’ ନାମକ ଉଷ୍ଣପ୍ରସ୍ରବଣ ଅଛି ।

୨- ଖୋର୍ଦ୍ଧାର ଅଟ୍ରିଗ୍ରାମସ୍ଥ ଉଷ୍ଣପ୍ରସ୍ରବଣ ।

 

 

 

କେତେ ଦିନେ ଭାଗ୍ୟ

ଫେରିବ ତୁମ୍ଭର,

ତାହା ବିଶ୍ୱସ୍ରଷ୍ଟା-

ଠାକୁରେ ଗୋଚର ।

କୁଣ୍ଡମଧ୍ୟେ ସ୍ଥିତା

ଝର ଅଧିଦେବୀ,

ଭ୍ରମନ୍ତି ନିର୍ଭୟେ

କନ୍ଧେ ତାଙ୍କୁ ସେବି ।

 

 

ସ୍ୱଳ୍ପ ରୋଗଦୁଃଖେ

ସେମାନେ ବିହ୍ୱଳି,

ଦେବୀଙ୍କ ଛାମୁରେ

ସମର୍ପନ୍ତି ବଳି ।

ହୋଇଛି ସେ ତୀର୍ଥ

ବଳି ଲୋହେ ପୁରି,

ଛାଗ କୁକ୍‌କୁଟର

ରୂଦ୍ର ଯମପୁରୀ ।

 

 

ଶୁଭସହ ତହିଁ

ମିଶିଛି ଆପଦ,

ପୂତ ସୁଧା ସଙ୍ଗେ

ମିଶିଅଛି ମଦ ।

ବୋଳି ହେଲା କିମ୍ପା

କର୍ପୂର ଗୋମୟେ,

ପଶିଲା ଶ୍ୱପଚ

ପୂଣ୍ୟ ଦେବାଳୟେ ।

 

 

ଏହି ପ୍ରଶ୍ନ ତହିଁ

ପଚାରିଲେ ଆହା,

କହେ ପ୍ରତିଧ୍ୱନି

ଲେଉଟାଇ ତାହା ।

ମହାତୀର୍ଥ ଏହୁ

ବିଶୁଦ୍ଧ ଗୋକ୍ଷୀର,

ମିଶିଲା ତହିଁରେ

ବିଭତ୍ସ ରୁଧିର ।

 

 

ଦେଲେ କେଉଁ ଦେବ

ଏ ଦାରୁଣ ଶାପ,

ମିଶିଗଲା ଆହା

ପୂଣ୍ୟ ସଙ୍ଗେ ପାପ ।

ପର ଅପକାରୁ

ନିଜ ଉପକାର,

ବାହାର କରିବା

ନୀତିକୁ ଜୁହାର ।

 

 

ପ୍ରାଣ ବହି ପ୍ରାଣ

ମୂଲ୍ୟ ଯେ ନଜାଣେ,

ତା ଯୋଗ୍ୟ ଉପାଧି

ନାହିଁ ଅଭିଧାନେ ।

ବଳିଦାନ ତାଙ୍କ

ଦେଖି ଏ ପ୍ରକାରେ,

କହୁଥାଏ କାଳ

ନୀରବ ଭାଷାରେ-

 

 

‘‘ରଖିଥାଅ ମନେ

ଦିନେ ଏହି ଭଳି,

ଅର୍ପିବ ମୋ ପଦେ

ସର୍ବେ ଆତ୍ମବଳି ।

ରଖି ନ ପାରିବେ

ତେତେବେଳେ କେହି,

ନ ଲଭିବ ତ୍ରାହି

କୋଟି ବଳି ଦେଇ ।

 

 

ଅପରକୁ ମାରି

ନିଜେ ବଞ୍ଚିବାର,

ଅଟଇ ଜଘନ୍ୟ

ପିଶାଚ ବେଭାର ।

ପର ପ୍ରାଣ ରକ୍ଷା

ଆତ୍ମପ୍ରାଣଦାନେ,

ସାର ଅମରତ୍ୱ

ସିନା ନର ପ୍ରାଣେ ।

 

 

ନିରୀହର ମୁହିଁ

ଚିର ଅନୁବଳ,

ଦିନେ ଏ ପାପର

ଦେବୀ ପ୍ରତିଫଳ ।

ମୋହର ଅଜ୍ଞାତ-

ସ୍ଥଳ ଏ ସଂସାରେ,

ଅଣ ଅଧିକାର

ନାହିଁ କେଉଁ ଠାରେ ।

 

 

ଅବ୍ୟର୍ଥ ଅକାଟ୍ୟ

ମୋ ମହା ଆଦେଶେ,

ମୋ ନିୟତି-ଦୂତୀ

ଭ୍ରମେ ଦେଶେ ଦେଶେ ।

ଯହିଁ ଲୁଚ ତହୁଁ

ଆଣିବ ସେ ଧରି,

କୃତ ପାପ ଫଳ

ଭୁଞ୍ଜିବ ମତ୍ସରି !’’

 

 

ବାଜିଲା ଚୌଦିଗେ

ମାଧ୍ୟନ୍ଦିନଶଂସୀ,

ଲଳିତ ସୁସ୍ୱରେ

ତୁତି ୩ କଣ୍ଠ ବଂଶୀ ।

ମୁଣ୍ଡ ପରେ ଉଠି

ଚଣ୍ଡ ସପ୍ତସପ୍ତି,୪

ଚରାଚରେ ଖରେ

ଅଜାଡ଼ିଲେ ତପ୍ତି ।

 

୩- କ୍ଷୁଦ୍ରାବୟବ ସଙ୍ଗୀତକାରୀ ପକ୍ଷୀ ବିଶେଷ ।

 

୪- ସୂର୍ଯ୍ୟ ।

 

 

 

ନାଚିଲା ବିସ୍ତାରି

ଦୂରେ ମରୀଚିକା,

ଧୂମ-ଧୂସରିତ-

ବେଣୀ-ବିଭୀଷିକା ।

ଗିରି-ପରିବାର

ପଶୁପକ୍ଷୀକୁଳ,

ହେଲେ ରୁଦ୍ର ରୌଦ୍ରେ

ବିଷମ ବ୍ୟାକୁଳ ।

 

 

କେହି ଲତାକୁଞ୍ଜେ,

କେହି ଭୀତମନେ,

ରୁଚିଲେ ନିରନ୍ଧ୍ର-

ମସ୍କର କାନନେ ୧

ରଜତମୋନାଶୀ

ବୈରାଗ୍ୟ ଉଦୟେ,

ଲୁଚିଯାନ୍ତି ଯଥା

କ୍ରୁର ରିପୁଚୟେ ।

 

୧- ବାଉଁଶ ବନରେ ।

 

 

 

ଶୋଷେ ଶୁଷ୍‌କକଣ୍ଠ

ଚଞ୍ଚୁ ମେଲି ବାୟା,

ଆଶ୍ରା କଲେ ତରୁ-

ଡାଳପତ୍ର ଛାୟା ।

ଅମଳୀ ୨ ପରାୟେ

ମାରି ଘନ ହାଇ,

ଶାଖେ ଶାଖାମୃଗ

ବସିଲେ ଘୁମାଇ ।

 

୨- ମାଦକ ସେବୀ ।

 

 

 

ଲୋମ ବିଦାରି କେ

ଖୁଣ୍ଟିଣ କିଟିଭେ ୩,

ଚାଟି ଦେଉଥାଏ

ଥରେ ଥରେ ଜିଭେ ।

ହେଲା ନାହିଁ ଶ୍ରୁତ

କାହାରି ଶବଦ,

ବନଭୂମି ହେଲା

ନୀରବ ନିସ୍ତବ୍‌ଧ ।

 

୩- ଉକୁଣି ।

 

 

 

ଗ୍ରୀଷ୍ମ ସନ୍ତାପରେ

କର୍ମ-କ୍ଳାନ୍ତ ହୋଇ,

ସହସା ପ୍ରକୃତି

ପଡ଼ିଲା କି ଶୋଇ ?

ଜଣାଯାଏ ବନ

ମହାଶୂନ୍ୟାୟିତ,

ଉଠେ ମହାଶୂନ୍ୟୁ୪

ମହାଶୂନ୍ୟ ଗୀତ ।

 

୪- ଆକାଶରୁ ।

 

 

 

କୋଳାହଳ ଗଲା

କାନନେ ଉଭାଇ,

ଆସିଲା କି ସ୍ୱର୍ଗ

ମର୍ତ୍ତ୍ୟକୁ ଓହ୍ଲାଇ ?

ପାର୍ଥିବ ବିକୃତି

ମନରୁ ମୋହରି,

ନେଇଗଲା କିଏ

କେଉଁ ଆଡ଼େ ହରି ।

 

 

ହୃଦୟ-ସରସୀ

ହୋଇଗଲା ସ୍ଥିର

ନ ଖେଳିଲା ତହିଁ

କଳ୍ପନା-ହିଣ୍ଡୀର ।

ରୋଧିଦେଲା କିଏ

ଚକ୍ଷୁ କର୍ଣ୍ଣପଥ,

ଅଲକ୍ଷରେ ବାକ୍ୟ

ବୁଦ୍ଧି ମନୋରଥ ।

 

 

ବୁଡ଼ିଲା ବିସ୍ମୃତି-

ସାଗରେ ବିବେକ,

ମୋଡ଼ିଲା ଅଚେତା

ଆତ୍ମସତ୍ତା ବେକ ।

ମାତ୍ର ସେ ସକଳ

ହେଲା କ୍ଷଣସ୍ଥାୟୀ,

ନଶ୍ୱର ବିଶ୍ୱେ ବା

ଚିର କିଏ କାହିଁ ।

 

 

ଭାଙ୍ଗିଲା ଅଯତ୍ନ

ସୁଲଭ ଔଦାସ୍ୟ,

କ୍ଷଣ ବିସ୍ମୃତିର

ଭଙ୍ଗୁର ବିଳାସ ।

ଏ ଦୁଷ୍ଟ ସଂସାର

ବଡ଼ ଦଗାଦାର,

ତିଳେ ମାତ୍ର ସୀମା

ଲଙ୍ଘିଲେ ତାହାର,

 

 

ଧରିଆଣେ ଖରେ

ପ୍ରଦାନି ଗଳଥା

ପଳାୟିତ ଚୋରେ

ପ୍ରତିହାରୀ ଯଥା ।

ସେ ସୁଖର ଧ୍ୟାନ

ଭାଙ୍ଗିଲା ମୋହର,

ହେଲେହେଁ ଅସ୍ଥାୟୀ

ତାହା ସୁଖକର ।

 

 

ହେଉ ପଛେ ତାହା

ଆକାଶ-ସୁମନ,

ମାତ୍ର ମୋହ ପକ୍ଷେ

ତପ-ପ୍ରାପ୍ତ-ଧନ ।

ସଂସାର ହସ୍ତରୁ

ମୁହୂର୍ତ୍ତକ ପାଇଁ,

ଲଭିଥିଲି ତାହା

ପ୍ରସାଦରୁ ତ୍ରାହି ।

 

 

ମାତ୍ର ଏକା ଭାଗ୍ୟ

ଅଟେ ମୋ ଭଗାରୀ,

ଆଣିଲା ସେ ପୁଣି

ସଂସାରେ ଓଟାରି ।

ବନ୍ୟ କୁକ୍କୁଟର

କର୍କଶ ନିଃସ୍ୱନ,

କଲା କର୍ଣ୍ଣେ ତୀବ୍ର-

କୁଳିଶ ବର୍ଷଣ ।

 

 

ଝିଁଝିଁ ସ୍ୱନେ ଘନେ

ରାବିଲେ ଝିଙ୍କାରୀ,

ଉଚ୍ଚାଟେ ଡାହୁକେ

ରଟିଲେ ଚିତ୍କାରି ।

ଭାଙ୍ଗିଗଲା ତହୁଁ

ପ୍ରକୃତିର ଧ୍ୟାନ,

ପଳାଇଲା ଘେନି

ନିସ୍ତବ୍‌ଧତା ପ୍ରାଣ ।

 

 

ନିଜ ଅଧିକାର

ନଷ୍ଟ ହେବା ଜାଣି,

ତେଜିଲେ ଆସନ

ଖରେ ଶାନ୍ତି-ରାଣୀ ।

ନିରେଖିବା ମାତ୍ରେ

ଦୁର୍ଜନ ପ୍ରଭାବ,

ସ୍ଥାନ ତ୍ୟାଗ ସିନା

ସଜ୍ଜନ ସ୍ୱଭାବ ।

 

 

ବାୟାନୀଡ଼େ ସର୍ପ

ପଶି ଗ୍ରାସି ଛୁଆ,

ବାୟା ବାୟାଣୀକି

କଲା କୁଆବୁଆ ୫ ।

ହୋଇ ଦୁହେଁ ଅତି

ଡହଳ ବିକଳ ୬ ।

କଲେ ଆର୍ତ୍ତସ୍ୱରେ

ଘୋର କୋଳାହଳ ।

 

୫- ବ୍ୟତିବ୍ୟସ୍ତ ।

 

୬- ଶୋକକାତର ।

 

 

 

ସେ ଶବ୍ଦେ ଆହୁତ

ହୋଇ ଆନ ଖଗେ

ଉପସ୍ଥିତ ଆସି

ହେଲେ ସଙ୍ଗେ ସଙ୍ଗେ ।

ଦଳେ ଦଳେ ଉଡ଼ି

ଆସିଲେ ବାୟସେ,

ରବେ ମୁଖରିତ

କରି ବିହାୟସେ ।

 

 

ବଣି, ପାରା, ଚିଲ

ଭଦଭଦଳିଆ,

ପାକୀ, ଲମ୍ବଲାଞ୍ଜି

ସାତଭାୟା, ଟିଆ ।

କୁମ୍ଭାଟୁଆ, ବକ

ହଳଦୀବସନ୍ତ,

ଏ ଆଦି ବିହଙ୍ଗ

କରି ନୁହେଁ ଅନ୍ତ ।

 

 

ଏକତ୍ର ଆରାବ

କରି ଘନଘନ,

ଘୁରି ଘୁରି କଲେ

ଶତ୍ରୁ ଆକ୍ରମଣ ।

ସେ ରବେ କାନନ

ପଡ଼ିଲା ଭଛୁଳି,

ସଂଗ୍ରାମ-ଅନଳ

ଉଠିଲା କୁହୁଳି ।

 

 

ନଖେ ଥଣ୍ଟେ କରି

ଦାରୁଣ ଆଘାତ,

କଲେ ଦୁଷ୍ଟ-କାଳ-

ସର୍ପକୁ ପରାସ୍ତ ।

କ୍ଷତ ଯନ୍ତ୍ରଣାରେ

ଗର୍ଜି ସାଇଁ ସାଇଁ

ପକାଇଲା ଖଳ

ପଛକୁ ନ ଚାହିଁ ।

 

 

ଜୟ ଜୟ ନାଦ

କରି ଯୁଦ୍ଧ ଜିଣି,

ଚଳିଲା ସ୍ୱସ୍ଥାନେ

ବିହଙ୍ଗ-ବାହିନୀ ।

ଜାତିପ୍ରୀତି ଐକ୍ୟ

ସହାନୁଭୂତିର,

ଦେଖାଇଲେ ସର୍ବେ

ଦୃଷ୍ଟାନ୍ତ ଗଭୀର ।

 

 

ବୁଝିବ କି ତା ଏ

ବିଜନ ପ୍ରଦେଶ,

ଅପାତ୍ରରେ ସିନା

ବୃଥା ଉପଦେଶ ।

ଅନନ୍ତର ତେଜି

ତପ୍ତପାଣିଝର,

ସିଂହରାଜ ଆଡ଼େ

ହେଲି ଅଗ୍ରସର ।

 

 

ବେନି ପାଶେ ବନ

ନିବିଡ଼ ପ୍ରକାଣ୍ଡ,

ହେବ ବେନି ଖଣ୍ଡ

ବାଜି ତହିଁ କାଣ୍ଡ

ମୁକ୍ତାମଞ୍ଜା ୧ ଧବ,

ଶାଳ, ପିଆଶାଳ,

କଣ୍ଟାନାଗେଶ୍ୱର,

କୁଟଜ, ମାହାଳ ୨ ।

୧-ରିଠାଗଛ

 

୨-ମହାନିମା ଗଛ ।

 

 

 

ବେଲ, ବଣଅଉ,

ଜାମୁ, ମାତୁକଙ୍ଗ,

ଗମ୍ଭାରୀ, କନ୍ଦୁକ,

ରସାଳ, ବାସଙ୍ଗ ।

ଜେଉଟ, ତ୍ରିପର୍ଣ୍ଣ ୩

ତାର ପାନ୍ଥବନ୍ଧୁ,

ଆଛୁ, ଛୁରିଆନା,

ଭୂମି କରକନ୍ଦୁ ।

 

୩-ପଳାଶ

 

 

 

ଓହଳ-ଶ୍ମଶ୍ରୂଳ

ବଟ, ମୁଣ୍ଡମୁଣ୍ଡୀ ୪,

କସେଇ, ପିଛୁଳି-

କକୁଭ, ଭୃକୁଣ୍ଡୀ ।

ନାନା ଗୁଳ୍ମ, ଲତା

ପାଦପ ବହୁଶ,

ବଢ଼ାଇ ଅଛନ୍ତି

ଅରଣ୍ୟର ଦୃଶ୍ୟ ।

 

୪-ବନ୍ୟବୃକ୍ଷବିଶେଷ ।

 

 

 

ପ୍ରତି ଗଛେ କରେ

ସୌନ୍ଦର୍ଯ୍ୟ ନିବାସ,

କରେ ପତ୍ରେ ପତ୍ରେ

ମାଧୂର୍ଯ୍ୟ ବିଳାସ ।

ସେ ଶୋକ-ପାସୋରା

ସୁଷମା ବର୍ଣ୍ଣନ,

କରି ନୁହେଁ ହେଲେ

ସହସ୍ର ବଦନ ।

 

 

ସାରସ୍ୱତ ଗିର

ପରାଜିତ ଯହିଁ,

କି ବର୍ଣ୍ଣିବ ନର

ସ୍ୱଳ୍ପ ଜ୍ଞାନ ବହି ।

ସମୀର ହିଲ୍ଲୋଳେ

ଦୋଳି ଫୁଲଖଡ଼ି ୫

ଧବଳ ଚାମର

ଢାଳେ ହରଘଡ଼ି ୬ ।

 

୫ - ତଣ୍ଡୀଜାତୀୟ ବୃକ୍ଷ । ଏହାର ଫୁଲ ଫୁଲଛାଞ୍ଚୁଣୀ ରୂପେ ବ୍ୟବହୃତ ହୁଏ ।

୬ - ସର୍ବଦା

 

 

 

ବହିଅଛି ନିଷ୍ଠା

ଉଦ୍ଭିଦ ପରାଣେ,

କା ଉଦ୍ଦେଶ୍ୟେ ଢ଼ାଳେ

ମାତ୍ର ତା’ ନ ଜାଣେ ।

କେଉଁ ଅଂଶେ କୁଶ

ସୌନ୍ଦର୍ଯ୍ୟ ଗରିମା,

ଦେଖାଏ ବିସ୍ତାରି

ଘନ ହରିତିମା ।

 

 

ମୃଗଯୂଥେ ରାତ୍ରେ

ଉପବାସ ସହି,

କରନ୍ତି ପାରଣା

ପ୍ରାତେ ଆସି ତହିଁ ।

କାହିଁ ବା ପ୍ରକୃତି-

ସ୍ୱରୁପିଣୀ ରମା,

ଲୁଚାଇ ଦେଇଛି

ବନେ ସ୍ୱ-ସୁଷମା ।

 

 

ଆରଣ୍ୟ-ସର୍ଷପ

କାହିଁ ପ୍ରକଟିତ,

ପ୍ରସ୍ଫୁଟ ପ୍ରସୂନେ,-

ପୁରଟ-ପୁଟିତ ।

ଗିରିବର ଲାଗି

ଫୁଲ-ଶେଯ ଧରି,

ଉଭା ଅବା ଆହା

କାନନ ସୁନ୍ଦରୀ ।

 

 

ତମୋମଣି ୭ ପ୍ରାୟ

ସୁବର୍ଣ୍ଣ ଭ୍ରମରେ ୮,

ଉଡ଼ୁଛନ୍ତି ତହିଁ

ଗୁଣୁଗୁଣୁ ସ୍ୱରେ ।

ବିଜିତ ବକ୍ଷରେ

ବିଜେତା ସମାନ,

ବସି ତରୁରୁହ ୯

ପ୍ରକାଶେ ଗୁମାନ ।

 

୭ - ଜୁଳୁଜୁଳିଆ ପୋକ । ୮ - ସୁନାଗୁଣା ପୋକ

 

୯ - ବୃକ୍ଷଉପରେ ଜାତ ବୃକ୍ଷ ।

 

 

 

ଅଟେ ସିନା ସେହୁ

ନିପଟ ୧ ନିଖଟୁ ୨

ସଦା ପରପ୍ରାଣ-

ଶୋଷଣ-ସୁପଟୁ ।

ଗିରିଦେହେ ଶସ୍ୟ-

କେଦାରପଙ୍କତି,

ଛେଲା ହୋଇ ଦିଶେ

ପରିଷ୍‌କୃତ ଅତି ।

 

୧ - ନିତାନ୍ତ ।

୨ - ଅଯୋଗ୍ୟ ।

 

 

 

କୋଠ କାଟି କ୍ଷୌର,

ନବ୍ୟ ରୁଚି ମତେ

ହୋଇଛି କି ସଦ୍ୟ

ଧରାଧର ସତେ ?

କ୍ରୀଡ଼ା ଅବସନ୍ନ

ମହିଷାଳବାଳେ,

ଦୃଢ଼େ ସିଇଁ ଠୁଲା

ବିଶାଳ କୁଦାଳେ ୩,

 

୩ - ବୃହତ୍‌ପତ୍ର ବିଶିଷ୍ଟ ବୃକ୍ଷ ।

 

 

 

ମାହାରାରୁ ୪ ଦୁଗ୍‌ଧ

ଦୁହିଁ ଆଣି ତହିଁ,

ପିଅନ୍ତି କୌତୁକେ

ନାନା କଥା କହି ।

ଲଳିତ ସରଳ

ତାଙ୍କ ଗ୍ରାମ୍ୟ ଭାଷା,

ବଢ଼ାଏ ପରାଣେ

ଶ୍ରବଣ ପିପାସା ।

 

୪ - ମହିଷଗୋଠରୁ ।

 

 

 

କଉପୀନଧାରୀ

ବନ୍ୟ ଜାତି ବହୁ,

ଶାତଷଣ୍ଡୁ କାହିଁ

ସଂଗ୍ରହନ୍ତି ଜଉ ।

ବୁଲନ୍ତି ସର୍ବତ୍ର

ଭୟ ପରିହରି,

ଶ୍ୱାପଦେ ମଣନ୍ତି

ପୋଷାଶ୍ୱାନ ପରି ।

 

 

ଗିରିଗୁହା ତାଙ୍କ

ନିସର୍ଗ ଆଳୟ,

ବାଡ଼ି ଫଳ ଫୁଲ-

ବନ୍ୟଦ୍ରବ୍ୟଚୟ ।

ଉପାର୍ଜନ୍ତି ବଳେ

ଶୈଳୁ ଗ୍ରାସ ବାସ,

ନ ହୁଅନ୍ତି କେବେ

ଅଭାବର ଦାସ ।

 

 

ମାତ୍ର ନ ଜାଣନ୍ତି

ଜୀବନେ ସଞ୍ଚୟ,

ଚିରବ୍ରତ ସଦ୍ୟ-

ଆୟ, ସଦ୍ୟ ବ୍ୟୟ ।

ଗିରି ଯେ ଜାତିର

ଅକ୍ଷୟ-ଭଣ୍ଡାର,

କିସ ଲୋଡ଼ା ଭଲା

ସଞ୍ଚୟେ ତାହାର ।

 

 

ସଂଗ୍ରହଇ ମଧୁ

କେବଣ ସାହସୀ,

ଅନ୍ଧକାରମୟ

ଗିରିଖୋଲେ ପଶି ।

ଖୋଜୁ ଖୋଜୁ ମଧୁ

ବୁଲି ଚୁଡ଼େ ଚୁଡ଼େ

ପଡ଼େ ବେଳେ ବେଳେ

ଭଲ୍ଲୁକ ହାବୁଡ଼େ ।

 

 

ମାତ୍ର ମଣିଲୋଭେ

ଭୁଜଗ ଦଂଶନେ,

ନ କରେ ଭ୍ରୁକ୍ଷେପ

କଦାଚ ସେ ମନେ ।

ସ୍ଥାନେ ସ୍ଥାନେ ସ୍ଥିତ

ପର୍ବତେ ପଲ୍ୱଳ,

ଯେତେ ବୃଷ୍ଟି ହେଲେ

ପୁରେ ନାହିଁ ଜଳ ।

 

 

ଲୋଭୀ ଆଶା ପ୍ରାୟ

ସଦା ସେ ଅପୂର୍ଣ୍ଣ,

ଭାସମାନ ତହିଁ

ସୂକ୍ଷ୍ମ ଗେରୁଚୂର୍ଣ୍ଣ ।

ପିଇଲେ ସେ ଜଳ

ଗଣ୍ଡୂଷ ମାତର,

ମାଡ଼ିବସେ ଖରେ

ଉଗ୍ର ମାଳତ୍ୱର ।

 

 

ଶୃଙ୍ଗ ପରେ ଶୃଙ୍ଗ

ଲଙ୍ଘି ସ୍ତରେ ସ୍ତରେ,

ଉପସ୍ଥିତ ହେଲି

ସର୍ବୋଚ୍ଚ-ଶିଖରେ ।

ନ ଡ଼ରି କାଳର

ଅଟ୍ଟହାସ୍ୟ ଲବେ,

ଅବସ୍ଥିତ ଗିରି

ସୌନ୍ଦର୍ଯ୍ୟ-ଗୌରବେ ।

 

 

ଯାଇଅଛି ଉଚ୍ଚେ

ବିହାୟସେ ଭେଦି,

କି ସେ ବିଶ୍ୱସ୍ରଷ୍ଟା-

ଯୋଗୀ ଯୋଗବେଦି

ବିକୃତ ପ୍ରାକୃତ

ପାର୍ଥିବତା ଯହିଁ,

ଶତ ଉପଚାରେ

ପାରେ ନାହିଁ ରହି ।

 

 

ନୈରାଶ୍ୟକୁ-ହେଳୀ

ଏ ସ୍ଥାନ-ଗଗନେ,

କରିପାରେ ନାହିଁ

କଳୁଷିତ କ୍ଷଣେ ।

ନିସ୍ତବ୍‌ଧତା ସହ

ପବିତ୍ରତା ଶାନ୍ତି,

ଅହରହ ଏଥି

ଯୋଗେ ରତ ଥାନ୍ତି ।

 

 

ଘୃଣିତ ସଂକୀର୍ଣ୍ଣ

ନୀଚ ସ୍ୱାର୍ଥ ଭାବ,

ଏ ସ୍ଥାନ ପରଶେ

ଭଜେ ତିରୋଭାବ ।

ଦେହାନ୍ତରେ ସ୍ୱର୍ଗ-

ଭୋଗ ଘଟିପାରେ,

ମାତ୍ର ସେ ସୁଯୋଗ

ଦେହକେ ଏଠାରେ ।

 

 

ଏହି ଶୃଙ୍ଗ ପଥେ

ଦେବକନ୍ୟାମାନେ,

ଅବତରି ସ୍ୱର୍ଗୁ

ଯାନ୍ତି ସିନ୍ଧୁ ସ୍ନାନେ ।

ବାହୁଡ଼ିବା କାଳେ

ବନପୁଷ୍ପ ତୋଳି,

ବନଦେବୀବର୍ଗେ

ଯାଆନ୍ତି ସଙ୍ଖୋଳି ।

 

 

ଅର୍ପନ୍ତି ତାହାଙ୍କୁ

ତ୍ରିଦିବ ବାରତା,

ପ୍ରତିଦାନେ ଘେନି-

ଯାନ୍ତି ମର୍ତ୍ତ୍ୟ-କଥା ।

ସେ ସ୍ୱର୍ଗୀୟ ବାର୍ତ୍ତା

ବହି ପ୍ରସ୍ରବଣ,

ଧରାତଳେ ନିତ୍ୟ

କରେ ବିତରଣ ।

 

 

କାଦମ୍ବିନୀକୁଳ

ଏ ଶୃଙ୍ଗ-ଉରସେ,

ଖେଳୁଥାନ୍ତି ଗୁଡ଼ା-

ବାଗୁଡ଼ି ହରଷେ ।

ପୃଥିବୀକୁ ଚାହିଁ

ବିଜୁଳି ବିକାଶ-

ଛଳେ ପ୍ରକାଶନ୍ତି

ଜ୍ୟୋତିର୍ମୟ ହାସ୍ୟ ।

 

 

ଶୈଳ-ସମୀରଣେ

ପିଆଶାଳ ଫୁଲ,

ଗଡ଼ି ବୁଲୁଥାଏ

ଚୌପାଶେ ବହୁଳ ।

ନଖ ମାରି ତହିଁ

କଟାସ ୧ ଶାବକେ

ଡ଼େଇଁ ଡ଼େଇଁ କ୍ରୀଡ଼ା

କରନ୍ତି ପୁଲକେ ।

 

୧ - ବନ୍ୟବିଡାଳ ।

 

 

 

ନୁଳିଆ ଶିଶୁଏ

ଯଥା ଗୁଡ଼କଙ୍କେ,

ଗୋଡ଼ାନ୍ତି ସିକତା-

ସିକ୍ତ ବେଳା ଅଙ୍କେ ।

ବାଳୀ ଭୟେ ଏଥି

କପୀଶ ସୁଗ୍ରୀବ,

ଯାପିଥିଲେ କିଛି

କାଳ ସସଚିବ ।

 

 

‘‘ସୁଗ୍ରୀଖୋଲ’’ ବରୀ

ବିଶାଳ ରୁଚିର ୨

ଦିଏ ମୂକସାକ୍ଷ୍ୟ

ଏ କିମ୍ବଦନ୍ତୀର ।

ପୁରାବୃତ୍ତ ପୁଣ୍ୟ-

ସ୍ମୃତି-ଜ୍ୟୋତିପୂତ,

ସାଇତିଛି ଶୈଳ

ଶରୀରେ ବହୁତ ।

 

୨ - ‘‘ସୁଗ୍ରୀଖୋଲ’’ ନାମକ ବିଶାଳ ଗୁମ୍ଫା ।

 

 

 

କରିଥିଲେ ଏଥି

କିଛି ଦିନ ବାସ,

ହିଡ଼ିମ୍ବା ସହିତ

ଭୀମ ମହେଷ୍ୱାସ ।

ମଗୟୁ କୁଳର

ଧୈର୍ଯ୍ୟ-ମୃଗ ସଙ୍ଗେ,

ବନ ମୃଗଯୂଥେ

ବିନ୍ଧୁଥିଲେ ରଙ୍ଗେ ।

 

 

‘‘ତପ୍ତପାଣି’’ କୁଣ୍ଡେ

କରିଣ ତର୍ପଣ,

ମଣିଥିଲେ ବୀର

ଆପଣାକୁ ଧନ୍ୟ ।

ଚାହିଁଲେ ତଳକୁ

ଗିରି ଶିଖରରୁ,

ସର୍ବେ ଖର୍ବାକୃତି

ଗ୍ରାମ, ଗୁଳ୍ମ, ତରୁ ।

 

 

ଚୌଦିଗେ ବିରାଜେ

ଅନନ୍ତ ପ୍ରକୃତି,

କଳି ନୁହେଁ ତାର

ବିପୁଳ ବିସ୍ତୃତି ।

ଦିଗ୍‌ବଳୟ ଯାଏ

ଅସ୍ପଷ୍ଟ ଆଭାଷେ,

ଯାଇଛି ତେଣିକି

ମିଶିଣ ଆକାଶେ ।

 

 

ମହାନ ପୃଥିବୀ

ମହାନ ଅମ୍ବର,

ମହାନ ମହାନ

ମିଶି ପୃଥୁତର ।

ମହା ମହାନତା-

ପାରାବାରେ ବୁଡ଼ି,

ମାନବର ଚିର-

ଲକ୍ଷ୍ୟ ଯାଏ ହୁଡ଼ି ।

 

 

ବିସ୍ମୟ-ଦୋଳିରେ

ଦୋଳି ଖେଳେ ମନ,

ଆତ୍ମଜ୍ଞାନ ତହୁଁ

କରେ ପଳାୟନ ।

ଧାରଣା ଅତୀତ

ସେହି ମହାନତା,

ଆଙ୍କିଦିଏ ମନେ

ବିଶ୍ୱପତି ସତ୍ତା ।

 

 

ପ୍ରସାରେ ଜ୍ଞାନର

ଅପ୍ରଶସ୍ତ ସୀମା,

କର୍ମୁ ଜଣା ସିନା

କର୍ତ୍ତାର ମହିମା ।

ଏ ଦୃଶ୍ୟ ଦର୍ଶନେ

ନାସ୍ତିକ ହୃଦୟ,

ହେବ ନିଶ୍ଚେ ପୁଣ୍ୟ

ଆସ୍ତିକ୍ୟ ଆଳୟ ।

 

 

ଖରା ରୂପ ଦିବ୍ୟ

ଜ୍ୟୋତିର୍ମୟ ବାସ,

ପିନ୍ଧିଣ ପ୍ରକୃତି

ପ୍ରକାଶିଛି ହାସ ।

ପବନ ହିଲ୍ଲୋଳେ

ରଶ୍ମିରେଖା ହଲି,

ଦିଶେ ସ୍ୱର୍ଣ୍ଣ ସିନ୍ଧୁ

ବାଳବୀଚିଭଳି ।

 

 

ଧୂମ-ଧୂସରିତ

ଛାୟାରୂପ ଧରି,

ଦିଶେ ଦୂରଗିରି

ପ୍ରେତମୂର୍ତ୍ତି ପରି ।

ଗୋଲାକୃତି କ୍ଷିତି,

ଗଗନ ଉଭୟ,

ତଦ୍ଦର୍ଶନେ ହୁଏ

ଏ ଭାବ ଉଦୟ-

 

 

ଧରା ନୀଳରତ୍ନ

ପେଟିକା ସଙ୍କାଶ,

ଢାଙ୍କୁଣି ତାହାର

ନୀଳ-ମହାକାଶ ।

ଗର୍ଭେ ସୁରକ୍ଷିତ

ରବି-ମହାମଣି,

ଅସୀମ ଅକ୍ଷୟ

ରୁଦ୍ର ପ୍ରଭାଖଣି ।

 

 

ସ୍ୱଭାବେ ଏ ମହୀ

ଗିରି-ପାଠଶାଳା,

ଗୁରୁ ଏହୁ, ଶିଷ୍ୟ

ଆନ ଶୈଳମାଳା ।

ଅବା ସିଂହରାଜ

ଶିଖରୀ ସମାଜେ,

ସଭାପତି ରୂପେ

ମଧ୍ୟରେ ବିରାଜେ ।

 

 

ଏ ଯେ ପ୍ରକୃତିର

ଶ୍ରେଷ୍ଠ ସେନାପତି,

ଅପରେ ତାହାର

ସୈନିକ ପଙ୍କତି ।

ଆଚରିଛି କାଳ

ସହିତେ ସଂଗ୍ରାମ,

ଜୀବନରେ କେଭେ

ନ ଜାଣେ ବିଶ୍ରାମ ।

 

 

ବାସର ତୃତୀୟ-

ଯାମ ହେଲା ଗତ,

ପ୍ରୌଢ଼ ଦିନ ହେଲା

ବୃଦ୍ଧେ ପରିଣତ ।

କ୍ରମେ କ୍ରମେ ଖରା

ଦିଶିଲୋକ ଫିକା,

ଫିଟିଲା ପାଣ୍ଡୁର

ଦିଗ-ଯବନିକା ।

 

 

ରୁକ୍ଷ ଆସନରେ

ବସନ୍ତେ ରୁଚିର,

ଆଶ୍ରିଲା ସେ ଯାଇ

କୃପଣ ଶରୀର ।

ପ୍ରୀତିକର ସ୍ପର୍ଶେ

ପତ୍ରୁ ପିଙ୍ଗଳିମା,

ଝରିଲା ପ୍ରକାଶି

ବିଶ୍ୱେଶ ମହିମା ।

 

 

ବହାଇଲା ତହୁଁ

କୁରରୀ ସହସା,

କରୁଣରସର

ନଦୀ କୂତଙ୍କଷା ।

ଚିର ଶୋକଶିଷ୍ୟା

ଶୋକେ ମୁହ୍ୟମାନ ,

ଶୋକ ଉପାୟନେ

ଗଠିତ ତା ପ୍ରାଣ ।

 

 

କରୁଛି ସତତ

ଶୋକ ଉପାସନା,

ଶୋକେ ମଣି ଏକା

ଶୋକର ସାନ୍ତ୍ୱନା ।

ଏହା ବିନା ଶୋକ-

ରୋଗର ନିଦାନ,

ଚରକ ସୁଶ୍ରୁତେ

ପାଇ ନାହିଁ ସ୍ଥାନ ।

 

 

ଦିଶିଲେ ସୁସ୍ପଷ୍ଟ

ଅସ୍ପଷ୍ଟ ଶଇଳେ,

ରୂକ୍ଷ ରୂପ ହେଲା

ପରିଣତ ନୀଳେ ।

ଦିଶିଲା ମହେନ୍ଦ୍ର

ମହେନ୍ଦ୍ର-ବାଞ୍ଛିତ,

ଅସିତ ଅତସୀ

ଯା’ରୂପେ ଲାଞ୍ଛିତ ।

 

 

ଉପକଣ୍ଠଲମ୍ବୀ

ଦୁର୍ଭେଦ୍ୟ କାନ୍ତାର,

ଆଚ୍ଛାଦିଛି କଟି-

ଦେଶ ଯାଏଁ ତାର ।

ସମୁଦ୍ର ସଲିକେ

ପ୍ଳାବି ଅର୍ଦ୍ଧଅଙ୍ଗ,

କରୁଛି କି ସ୍ନାନ

ବିରାଟ ମାତଙ୍ଗ ?

 

 

ପାଦେ ରାଜେ ଶୋଭା-

ପଞ୍ଜରୀ ମଞ୍ଜୁଷା,

ମହୀ-ମହିଳାର

ମଞ୍ଜୁ, ଖୋଷା-ଭୂଷା ।

ବହୁ ପୁଣ୍ୟତୀର୍ଥେ

ମହେନ୍ଦ୍ର, ସଙ୍କୁଳ,

ଗିରି ନୁହେଁ ତାହା,

ତୀର୍ଥର ଦେଉଳ ।

 

 

କୁନ୍ତୀ ପାଣ୍ଡବଙ୍କ

ପବିତ୍ର ମନ୍ଦିର,

ଶୋଭେ ଶିରେ ଯଥା

ମୁକୁଟ ରୁଚିର ।

ମହେନ୍ଦ୍ର-ତନୟା ୧

ବଂଶଧାରା ୨ ବହି

ଯାଏ ଖରେ ଯଥା

ଶିଖି-ଭୀତ-ଅହି ।

 

୧-୨ - ମହେନ୍ଦ୍ରତନୟା ଏବଂ ବଂଶଧାରା ନଦୀ ମହେନ୍ଦ୍ର ପର୍ବତରୁ ନିର୍ଗତ ହୋଇଅଛି ।

 

 

ଦିଶୁଛି ‘‘ଅଜୟ

ଗଡ଼’’ ଧରାଧର ୩

ଶୟାନ କି ଅହୋ

ମହାଅଜଗର ।

ଚାହିଁଛି ତାହାକୁ

ଦୂରୁ ଦେବଗିରି ୪

ପ୍ରକାଶି ମାରାଗ -

ମଞ୍ଚ ପ୍ରାୟଶିରୀ ।

 

୩ - ପାରଳାଖେମୁଣ୍ଡିର ସର୍ବୋଚ୍ଚ ପର୍ବତ ।

୪ - ପାରଳାଖେମୁଣ୍ଡିର ଅନ୍ୟତମ ଉଚ୍ଚ ପର୍ବତ ।

 

 

ଦେବଔଷଧିରେ

ଖ୍ୟାତ ଯା ପ୍ରଶସ୍ତି,

କି ସେ ଗଙ୍ଗବଂଶୀ

ନୃପ ପାଟହସ୍ତୀ ।

ତୋଳିଛି ଉତ୍ତରେ

ଗିରି ଦୁଧସର ୫

ଶାଳବନଭେଦୀ

ଭତ୍ତୁଙ୍ଗ ଶିଖର ।

 

୫ - ଘୁମୁଷର ରାଜ୍ୟର ପ୍ରଧାନ ପର୍ବତ ।

 

 

 

ଶୁଣିଅଛି ପୂର୍ବେ

ଭଞ୍ଜ କବିଗୀତ,

ଗିରି ମଧ୍ୟେ ସେହୁ

କାବ୍ୟ ସୁପଣ୍ଡିତ ।

ରତ୍ନଗର୍ଭା ମହୀ

ଦିଶେ ଘୁମୁଷର,

କବି ପ୍ରତିଭାରେ

ନିରତେ ଭାସ୍ୱର ।

 

 

ନିଖିଳ ଉତ୍କଳେ

ତୀର୍ଥ ସାରସ୍ୱତ,

ଟେକ ତାହାଯୋଗେ

ଉତ୍କଳ ମହତ୍ତ୍ୱ ।

ବିସ୍ତୃତ କେରାଣ୍ଡି-ମାଳ

ମହାଚଳ ୬

ଶାର୍ଦ୍ଦୁଳକୁଳର

ପ୍ରିୟବାସସ୍ଥଳ ।

 

୬ - ପୂର୍ବଘାଟ ପର୍ବତଶ୍ରେଣୀ ।

 

 

 

ଦିଶଇ ଅସ୍ପଷ୍ଟ

ଦୁରୁ ତାହା କାନ୍ତି,

ଯାଇଛି ବା ଲାଗି

ମେଘ-ସ୍ତର କାନ୍ତି ।

ପଛୁ ତାଳଗୁଡ଼ି ୭

ଟେକିଅଛି ମଥା,

ଶିଷ୍ୟକାନେ ଗୁରୁ

ମନ୍ତ୍ର ଦିଏ ଯଥା ।

 

୭ - ସୁରଙ୍ଗୀର ସର୍ବୋଚ୍ଚ ଶୈଳ ।

 

 

ବସି ଯାହା ପଦେ

ଦୀନବନ୍ଧୁ କବି,

ଅଙ୍କୁଥିଲେ ସୁଖେ

ପ୍ରାକୃତିକ ଛବି ।

ଉପେକ୍ଷି ସେ ରାଏ

ରତ୍ନ ସିଂହାସନ,

ପୂଜୁଥିଲେ ସଦା

ଭାରତୀ ଚରଣ ।

 

 

ତାରିଣୀଙ୍କ ପୀଠ

ତାରିଣୀ ଶିଖରୀ ୧

ଉଭା ଆହା ଶୋଭା

ଚିତ୍ରପଟ ଧରି ।

ଗୁଳ୍ମଜଟାଧର

ଆକୃତିରେ ଖର୍ବ,

ମାତ୍ର ସୁଷମାରେ

ବହେ ଗୁରୁଗର୍ବ ।

 

୧ - ପ୍ରଚଳିତ ନାମ ତାରାତାରିଣୀ ପର୍ବତ ।

 

 

ବାରିଦ-ମେଦୁର

ମାରୁଆ ପର୍ବତ ୨

ଦିଶେ ଯୋଗଧ୍ୟାନେ

ଉପବିଷ୍ଟବତ ।

ପବିତ୍ର ନିର୍ମଳ

‘‘ନିର୍ମଳନିର୍ଝର’’ ୩

ଗାଉଅଛି ତାର

ସ୍ତୁତି ନିରନ୍ତର ।

 

୨ - ଖଲ୍ଲିକୋଟଗଡ଼ର ସନ୍ନିହିତ ଶୈଳ

୩ - ଖଲ୍ଲିକୋଟ ଗଡ଼ର ଉପକଣ୍ଠବର୍ତ୍ତୀ ସ୍ୱନାମପ୍ରସିଦ୍ଧି ଝରଣା।

 

 

ନାଗେଶ୍ୱର କୁଞ୍ଜେ

ହଳଦୀବସନ୍ତେ,

ରଚୁଥାନ୍ତି ଯହିଁ

ସଙ୍ଗୀତ ବସନ୍ତେ ।

ଧରାକୋଟ ରାଜ୍ୟୁ

ଶଇଳ ଶୁଳିଆ,

ଦିଶୁଅଛି ବାମେ

ଟାଙ୍ଗରମୁଣ୍ଡିଆ ।

 

 

କବି କୃଷ୍ଣସିଂହ

ସ୍ପର୍ଶେ ସେହୁ ପୂତ,

ଏଣୁ ତା ଚରଣେ

ପ୍ରଣତି ପ୍ରଭୁତ ।

ଗିରି ଋଷିମାଳ

ଋଷିଙ୍କ ବସତି,

ୠଷିକୂଲ୍ୟା ଯାର

କନ୍ୟା ଗୁଣବତୀ ।

 

 

ଶୋଇଛି ଦୁର୍ଗମ-

କାନ୍ତାର ମଧ୍ୟରେ

ଭାସୁଛି କି ମହା

ମଗର ସାଗରେ ?

କିମ୍ବା ଭେଦି କାଳ-

ଜଳଧି ଉତ୍ସଙ୍ଗ,

ଉଠିଛି ଭୀଷଣ

ଘଟଣା-ତରଙ୍ଗ ।

 

 

ଖେମଣ୍ଡି ରାଜ୍ୟର

ନିଃସର୍ଗ ପାଚୀରି,

ବିରାଜେ ଉଦୟ-

ଗିରି ରାମଗିରି ୪ ।

ଦେବେ ଯା ମମତା

ନ ତେଜନ୍ତି ଦଣ୍ଡେ

ସେ ସୁବର୍ଣ୍ଣଗିରି

ଶୋଭେ ଅନ୍ୟଖଣ୍ଡେ ୫ ।

 

୪ - ବଡ଼ଖେମୁଣ୍ଡି ମାଳର ସର୍ବୋଚ୍ଚ ପର୍ବତଦ୍ୱୟ ।

୫ - ସାନଖେମୁଣ୍ଡିରେ ।

 

 

 

ପଶ୍ଚିମେ ବିସ୍ତୃତ

ଜୟପୁର ମାଳ,

ନିରାଟ ବିକଟ

ବିପୁଳ ବିଶାଳ ।

ପୂର୍ବେ ପୟୋନିଧି

କ୍ରୋଧରେ ଅଧୀର,

ପିଟି ଦେଉଅଛି

ବେଳା ପଦେ ଶିର ।

 

 

ଗର୍ଜୁ ଅଛି ରୁଦ୍ର

ନାଦେ ଅନିମେଷ,

ସହସ୍ର ବଦନେ

ଫୁତ୍କାରେ କି ଶେଷ ?

ଅବା ଖିଳସୃଷ୍ଟି

ସଂହାରୀ ଈଶାଣ,

ବଜାନ୍ତି ସଘନେ

ପ୍ରଳୟ ବିଶାଣ ।

 

 

ନାଚି ନାଚି ବୀଚି

ଶିର ଦୋହଲାଇ,

ମାନସ ଗତିରେ

ଆସୁଅଛି ଧାଇଁ ।

କାହିଁ ବା ସଳଖେ

କାହିଁ ଅଙ୍ଗ ମୋଡ଼ି,

ଏକସଙ୍ଗେ ଆନ

ଯାଉଅଛି ଯୋଡ଼ି ।

 

 

ଶ୍ୱଶୁର ହେତୁ ବା

ହୋଇ ଭକ୍ତିନତ,

କରୁଛି ଏ ଶୈଳେ

ସିନ୍ଧୁ ଦଣ୍ଡବତ ।

ଚିର ଫଳବାନ

ଉଦ୍ୟାନଖଣ୍ଡର,

ସୁସ୍ନିଗ୍‌ଧ ନୀଳିମା

ଦିଶେ ପ୍ରୀତିକର ।

 

 

ଉଦ୍ୟାନ ମହିମା

ବୁଝିଛି ଜଳଧି,

ଧୋଉଅଛି ତାର

ପାଦ ନିରବଧି ।

ଢାଳୁଛି ଚାମର

ସଦା ପବମାନ,

ବୁଝନ୍ତି ମହତେ

ମହତ ସମ୍ମାନ ।

 

 

ଦିଶୁଛି ଚିଲିକା

କେଡ଼େ ଶୋଭାବନ,

ଉତ୍କଳ-କମଳା

ବିଶାଳ ଦର୍ପଣ ।

ଗର୍ଭେ ଘଣ୍ଟଶିଳା ୬,

ହେବାପାଇଁ ମୁହାଁ,

ଦହିବେହେଡ଼ିରେ

ପଡ଼ିଛି କି ଖୁଆ ?

 

୬ - ଚିଲିକା ମଧ୍ୟସ୍ଥ ପର୍ବତ ।

 

 

 

ସ୍ଫଟିକ-ମେଖଳେ

କିବା ଶାଳଗ୍ରାମ,

ବସି ପ୍ରକାଶଇ

ଶୋଭା ଅବିରାମ ।

ଦୂରେ ଋଷିକୂଲ୍ୟା

ସଂକୀର୍ଣ୍ଣ ମୁହାଣ,

ନିରେଖି ପୁଲକେ

ଫୁଲିଉଠେ ପ୍ରାଣ ।

 

 

ଭଜିଛି ବିଲୋପ

ସାଗରେ ସୁନ୍ଦରୀ,

ବିଶ୍ୱାସ । ଶରୀରେ

ମୁକ୍ତ ଆତ୍ମା ପରି ।

ସ୍ୱର୍ଣ୍ଣ ଘନ-ଯାନୁ

ଅବତରି ଯହିଁ,

କରନ୍ତି ଅମରେ

ସ୍ନାନ ମୁଦ ବହି ।

 

 

ତହିଁ ସିନ୍ଧୁଘୋଷ

ପ୍ରତିଧ୍ୱନି ବ୍ୟାଜେ,

ଜରାଜୀର୍ଣ୍ଣ ଦୁର୍ଗ

ଡାକେ ବିଶ୍ୱରାଜେ * ।

ଯୌବନ ସହିତେ

ତାର ଭାଗ୍ୟ-ଭାନୁ,

ଆଶ୍ରିଲେଣି ବହୁ

ଦିନୁ ଅସ୍ତସାନୁ ।

 

* ପ୍ରାଚୀନ ଗଞ୍ଜା ଦୁର୍ଗ । ଏହା ଋଷିକୁଲ୍ୟାର ସଙ୍ଗମସ୍ଥଳରେ ଅବସ୍ଥିତ ।

 

 

କ୍ଷତବିକ୍ଷତ କେ

ହୋଇ କାଳ-ରଣେ,

ବସିଅଛି କରି

ପ୍ରତୀକ୍ଷା ମରଣେ ।

ଭାଗ୍ୟ ତୁଟିଯାନ୍ତେ

ଯଥା ଭାଗ୍ୟରଙ୍କେ,

ବାଞ୍ଛନ୍ତି ମରଣ

ପଲକେ ପଲକେ ।

 

 

ବାରୁଣୀ-ତୋରଣେ

ଦେବ ବିକର୍ତ୍ତନ,

ସଧୀରେ ସଧୀରେ

କଲେ ଉନ୍ମୋଚନ ।

ଉଠିଲା ଆକାଶେ

ମହାସିନ୍ଦୂରିମା,

ଭାଙ୍ଗିଲା ଭଙ୍ଗୁର

ପ୍ରବାଳ ଗରିମା ।

 

 

ଭେଦି ଚକ୍ରବାକ

ବିରଳ କୁହୁଡ଼ି,

ଖସି ଖସି ରବି

ତଳେ ଗଲେ ବୁଡ଼ି ।

ପ୍ରାଚୀ-ତାପସୀ କି

ସନ୍ଧ୍ୟାକାଳ ବୁଝି,

ଆହ୍ନିକ ସକାଶେ

ଦେଲେ ଆଖି ବୁଜି ?

 

 

ପ୍ରଦୋଷ-ଭୁଜଙ୍ଗ

କରାଳ ଦଂଶନ,

କଳା କରିଦେଲା

ସୃଷ୍ଟି ଅପଘନ ।

ଶୁଭିଲା ଚୌଦିରା

ପକ୍ଷି-କଣ୍ଠ-ବାଦ୍ୟ,

ସାୟାହ୍ନ-ଶଙ୍ଖୁଆ-

ଶିବା ଶଙ୍ଖନାଦ ।

 

 

ପେଚକ ସହିତ

ଭାଗ୍ୟ ବିନିମୟ,

କରି ନୀରବିଲେ

ଚକ୍ରବାକଚୟ ।

ସନ୍ତ୍ରାସେ ଆଲୋକ

କରି ପଳାୟନ,

ଶିକ୍ଷୋନ୍ନତ ଦେଶେ

ପଶିଲା ଶରଣ ।

 

 

ବିଜେ କଲା ତହୁଁ

ତାରାନେତ୍ରୀ ରାତ୍ରି,

ଦଳିତ-ଅଞ୍ଜନ-

ଜିତ କୃଷ୍ଣଗାତ୍ରୀ ।

ତମିସ୍ରା-ମିତଣୀ

ଚିମଣିନିକର,

ଉଡ଼ି ଅନ୍ଧକାରେ

କଲେ ଗାଢ଼ତର ।

 

 

କୌଶିକ କୌଶିକୀ

ଉଲ୍ଲାସେ ପ୍ରଫୁଲ୍ଲି

ଦେଲେ ଥରେ ଥରେ

ଉଚ୍ଚେ ହୁଳାହୁଳୀ ।

ଗଭୀର ବିକଟ

ଭଲୁକ ନିସ୍ୱନ,

ନିଶା ବିଭୀଷିକା

କଲା ବିବର୍ଦ୍ଧନ ।

 

 

ଅନ୍ଧକାରେ ହେରି

ଗିରି-ଦିହୁଡ଼ିଆ,

ଦାବାନଳ ଜାଳି

ଦେଲା ଖରେ ନିଆଁ ।

ବନଦେବୀଙ୍କର

ଆଗ୍ନେୟ ମନ୍ଦିର,

ପ୍ରାୟ ଅଗ୍ନିସ୍ତୁପ

ଦିଶେ ସୁରୁଚିର ।

 

 

ଲମ୍ବି ଆସେ କାହିଁ

ଦହି ଲତାଗୁଚ୍ଛ,

ନଭେ ଧୂମକେତୁ

ସଞ୍ଚାଳେ କି ପୁଚ୍ଛ ?

ଅଥବା ନିକଷେ

କୁନ୍ଦନର ରେଖା,

କିମ୍ୱା ନୀଳଘନେ

ବିଦ୍ୟୁ ଦିଏ ଦେଖା ।

 

 

କାହିଁ ବା ପ୍ରଚଣ୍ଡେ

ଜଳେ ତୁଙ୍ଗକୁଟ,

ଗିରିଶିରେ କି ସେ

ସୁବର୍ଣ୍ଣ ମୁକୁଟ ?

ଧାଡ଼ି ଧାଡ଼ି ହୋଇ

ଦିଶେ କେଉଁଠାରେ,

ଅସଂଖ୍ୟ ରୁଶୂନି

ନିଶୁଣୀ ପ୍ରକାରେ ।

 

 

ପର୍ବତର ସେ କି

ପୂଣ୍ୟପୁଞ୍ଜ ପ୍ରଭା,

ଆଶାର ଝଟକ

ନିରାଶାରେ ଅବା ।

ଧନ୍ୟ ସିଂହରାଜ !

ଧନ୍ୟ ତୋ ମହିମା,

ଭାବୁକ ନୟନ

ଆନନ୍ଦ ପ୍ରତିମା ।

 

 

ପ୍ରସ୍ତର ନୋହୁ ତୁ

ରତ୍ନ ରୁପାନ୍ତର,

ଅନନ୍ତ ମଣିରେ

ତୋ ଗର୍ଭ ଭାସ୍ୱର ।

ତୁହି ସତ୍ୟ ଶିବ

ସୁନ୍ଦର ରେ ଗିରି,

ଶୋକ-ତାପ-ଦୁଃଖ-

ପାସୋରା ତୋ ଶିରୀ ।

 

 

ଯନ୍ତ୍ରଣା-ବିଦଗ୍‌ଧ

ଅବସନ୍ନ ପ୍ରାଣ,

ହୁଏ ଯେତେବେଳେ

ଭାରଭୂତ ଜ୍ଞାନ,

ତୋ ଦର୍ଶନେ ଆହା

ଦୁଃସ୍ୱପ୍ନ ପରାଏ,

ସେ କ୍ଳେଶ ମାନସ

କ୍ଷଣେ ଭୁଲିଯାଏ ।

 

 

ମହାଦାନେ ତୋର

ବଡ଼ ଅନୁରାଗ,

ଗଢ଼ୁଅଛୁ ନିତି

ଅନ୍ୟର ସୌଭାଗ୍ୟ ।

କି କୁଣିଆ କିବା

ଆଶ୍ରିତ ନିକର

ସକଳେ ସମର୍ପୁ

ସମ ସମାଦର ।

 

 

କିନ୍ତୁ ଗିରି, ଖଣ୍ଡ-

ତପସ୍ୱୀ ନିଶ୍ଚେ ତୁ,

କିମ୍ବା ତୋର କୋଷ୍ଠୀ

ରନ୍ଧ୍ରେ ସ୍ଥିତ କେତୁ ।

ଆକାରେ ମହେନ୍ଦ୍ର

ତୋହଠାରୁ ସାନ,

ମାତ୍ର ଲଭିଅଛି

ପୁରାଣରେ ସ୍ଥାନ ।

 

 

ଜ୍ୟେଷ୍ଠ ହୋଇ ତୁହି

ସୌଭାଗ୍ୟ-ବର୍ଜିତ,

ରହିଛୁ ଅଦ୍ୟାପି

ଲୋକେ ଅଚିହ୍ନିତ ।

ଅଚିହ୍ନିତ ଆହା

ଅଟେ ରେ ଯେସନ,

ତୋହରି ଉଦ୍ୟାନ

ସୁରଭି ସୁମନ ।

 

 

ତେଣୁ ବା ନିରେଖି

ଅଜୟର * ମୁଖ,

ନୀରବେ ପ୍ରକାଶ

ତାହା ପାଶେ ଦୁଃଖ ।

ସମଦଶାପନ୍ନ

ଅଟେ ସେ ତୋହର,

ଅଦୃଷ୍ଟେ ଦୁହିଁଙ୍କୁ

ଦୁହେଁ ପଟାନ୍ତର ।

 

*ପୂର୍ବୋକ୍ତ ଅଜୟଗଡ଼ ପର୍ବତ ।

 

 

 

ଦୁଃଖୀର ବେଦନା

ନିବେଦନ ସ୍ଥାନ,

ନାହିଁ ଏ ସଂସାରେ

ଦୁଃଖୀ ବିନା ଆନ ।

ଦୁଃଖୀ ସହବାସ

ଲୋଡ଼େ ଦୁଃଖୀ ଖାଲି,

ଦୁଃଖୀକୁ ମଣେ ସେ

ଦୁଃଖର ସଙ୍ଖାଳି ।

 

 

ଦୁଃଖାଶ୍ରୁରେ ଦିଏ

ପଖାଳି ତା ମୁଖ,

ମଣି ତାକୁ ପ୍ରାଣେ

ଶାନ୍ତି , ତୃପ୍ତି, ସୁଖ ।

ଛି ଛି ଏ କଳ୍ପନା

ବୃଥା ସିନା ମୋର,

କଳ୍ପନା-ସୂତାରେ

ବଳୁଅଛି ଡୋର ।

 

 

ମହଜ୍ଜନ ହୃଦେ

ସୁନାମ ପ୍ରୟାସ,

କରିପରେ ନାହିଁ

କେଉଁ କାଳେ ବାସ ।

କରିଛି ପରାର୍ଥେ

ଯେହୁ ଆତ୍ମଦାନ,

ଛାର ପ୍ରଶଂସା କି

ସ୍ପର୍ଶିବ ତା ପ୍ରାଣ ।

 

 

ଯାଉଛି ରେ ଗିରି

ଘେନ ନମସ୍କାର,

ଡ଼ାକିଲାଣି ପଛୁ

ହଟିଆ ସଂସାର ।

ଆସୁଛି ମୁଁ ଯେତେ

ତାହା ପାଶୁ ହଟି,

ସେତିକି ମୋତେ ସେ

ଧରୁଛି ଆକଟି ।

 

 

ନିଳ ପୂଜା ବିନା

ଜାଣେ ନାହିଁ ଆନ,

ସେବାରେ ଖଟାଇ

କରେ ଆୟୁପାନ ।

ବଡ଼ ଠକ ସେହୁ

ଦୃଢ଼େ ଧରି ଚୁଟି,

ଗଇଁଠା ବୋଲିଣ

ଗିଳାଏ ଗେଙ୍ଗୁଟି ।

 

 

ଭାଗ୍ୟ ରଙ୍ଗମଞ୍ଚ-

ଏ ମହୀମଣ୍ଡଳେ,

ମୋର ଅଭିନୟ

ଚଳେ ନାହିଁ ଭଲେ ।

ମନୋରଥ-ସ୍ରୋତ

ପ୍ରତିଲୋମେ ମୋର,

ଧାଏଁ ଭାଗ୍ୟ-ତରୀ

ଛାଡ଼ି ଘୋଷ ଘୋର ।

 

 

ବନ୍ଧନେ ସତତ

ଯାପିଲି ଜୀବନ,

ସ୍ୱାଧୀନତା ହେଲା

ସୌଭାଗ୍ୟ ସ୍ୱପନ ।

ଯାତନା-ମସୀରେ

ମୋହୋ ଭାଗ୍ୟଲିପି,

ଦେଇଛି କେଜାଣି

କିପାଁ ଧାତା ଲିପି ।

 

 

ଉଇଁ ଲୟପ୍ରାପ୍ତ

ହୃଦେ ନାନା ଆଶା,

ସଂକଳ୍ପ-ସଲିଳେ

ମେଣ୍ଟୁଛି ପିପାସା ।

ଜୀବନ-ସରଣୀ

ବିପଦ-ପିଚ୍ଛଳ,

ଚାଲୁଅଛି ତହିଁ

ହୋଇ ଟଳମଳ

 

 

ଜୀବନ ମରଣ

ସନ୍ଧିସ୍ଥଳେ ମତେ,

କରାଇଛି ଠିଆ

ଭାଗ୍ୟ ଅବିରତେ ।

ନିରତେ ଆଶଙ୍କା-

ପ୍ରବଣ ମୋ ପ୍ରାଣ,

ଦୁଃଖ-ଧନେ ମୁହିଁ

ମହା ଧନବାନ ।

 

 

ଚିରବୈରୀ ମୋର

ସ୍ୱାସ୍ଥ୍ୟ ଶାନ୍ତି ସୁଖ,

ଦେଖିବାକୁ ମୋତେ

ମନା ତାଙ୍କ ମୁଖ ।

ତପି ହାହାକାର-

ତାରକ ମନ୍ତର,

ସଂସାରକୁ ଡ଼ରି

ଥାଏ ସ୍ୱତନ୍ତର ।

 

 

ତଥାପି ସେ ରୁଷ୍ଟ

କି ଅଜ୍ଞାତ କୋପେ ।

ମାନସ-ମାତଙ୍ଗେ

ପକାଏ ସ୍ୱଟୋପେ ।

ପ୍ରକୃତି-ମାତାର

ତୁହି ମହାଶକ୍ତି,

ଏଣୁ ତୋ ଦର୍ଶନେ

ବଳିଲା ଆସକ୍ତି ।

 

 

ପୁଲକେ ପ୍ରଫୁଲ୍ଲି

ଆସିଥିଲି ଧାଇଁ,

କିନ୍ତୁ କି ଦେଖିବି

ଦେଖିଜାଣେ ନାହିଁ ।

ତୋ ମହା ମହିମା-

ପାରାବାରେ ବୁଡ଼ି,

ଆକତା ହୋଇ ମୁଁ

ଯାଉଛି ବାହୁଡ଼ି ।

 

 

ରହିଲା ମାନସେ

ଖୋଦିତ ତୋ କଥା,

ବୌଦ୍ଧାନୁଶାସନ

ଜଉଗଡ଼େ ଯଥା ।

ଜୀବନ-ପଞ୍ଜିକା

ପ୍ରତ୍ୟେକ ପତ୍ରରେ,

ରହିଲା ତୋ ସ୍ମୃତି

ଅକ୍ଷୟ ଅକ୍ଷରେ ।

 

 

ବନ୍ଧା ଦେଇ ତୋତେ

ମନୋନେତ୍ର ବେନି,

ପ୍ରତିଦାନେ ସ୍ମୃତି

ଯାଉଅଛି ଘେନି ।

ରଙ୍କ ଗଣ୍ଠି ରତ୍ନ

ପ୍ରାୟେ ସେ କେବଳ,

ହେବ ମୋ ଜୀବନେ

ଭବିଷ୍ୟ-ସମ୍ବଳ ।

 

 

ହୃଦୟ-ମନ୍ଦିରେ

ସ୍ଥାପି ତୋ ମୂରତି,

ଅର୍ପୂଥିବି ପୂଜା

ସଭକ୍ତି-ଆରତି ।

ପ୍ରୀତି ପୁଷ୍ପାଞ୍ଜଳି

ଢ଼ାଳି ତୋ ଚରଣେ,

ଶମିବି ସନ୍ତତ

ସନ୍ତପ୍ତ ଜୀବନେ ।

 

 

ବର୍ଣିଛନ୍ତି ସ୍ୱର୍ଗ

ଟେକ ଶାସ୍ତ୍ରକାରେ,

ମାତ୍ର ସେ ଗୌରବ

ତୁଚ୍ଛ ତୋହଠାରେ ।

ଥାଆନ୍ତା ଯଦ୍ୟପି

ସ୍ୱର୍ଗ ସ୍ୱରଗର,

ଖଟନ୍ତା ସିନା ସେ

ତୋତେ ପଟାନ୍ତର ।

 

 

ତୀର୍ଥଠାରୁ ବଳି

ମହାତୀର୍ଥ ତୁହି,

ମହାଭାବେ ପୂତ

ମନ ତୋତେ ଛୁଇଁ ।

ତ୍ରିତାପ-ବିଦଗ୍‌ଧ-

ହୃଦୟ କାନନେ,

ଫୁଟେ ଚାରୁଚମ୍ପା

ତୋ ରୂପ ଦର୍ଶନେ ।

 

 

ମଧୁ ମନ୍ଦାକିନୀ

ତପ୍ତ ମରୁସ୍ଥଳେ,

ତରଙ୍ଗ ବିସ୍ତାରି

ଖେଳେ କଳକଳେ ।

ତେଜିବାକୁ ତୋତେ

ବଳୁନାହିଁ ମତି,

ହେଉଛି ହୃଦୟ

ଆରତେ କରତି ।

 

 

କିନ୍ତୁ କି କରିବି

ଝିଙ୍କୁଛି ସଂସାର,

ପରାଧୀନ ଯେହୁ

କି ଚାରା ତାହାର ।

ଅଦୂର ଭବିଷ୍ୟେ

ନିଶ୍ଚୟ ନିୟତି,

ନିହିବ ତୋ ଭାଗ୍ୟେ

ଅତୀତ ଉନ୍ନତି ।

 

 

ଶୁଭାଶୁଭ ସେହୁ

ଆଣେ ପର୍ଯ୍ୟାୟରେ,

ଚିରୁ ସୁଖ ଦୁଃଖ

ନାହିଁ ଚରାଚରେ ।

ଫଳିବ ଅବଶ୍ୟ

ମୋ ଭବିଷ୍ୟବାଣୀ,

ଥାଅ ସିଂହରାଜ

ଘେନୁଛି ମେଲାଣି ।