Unknown

 

ମାନ୍ୟବର

ଭିକାରୀଚରଣ ପଟ୍ଟନାୟକ

 

ମାନ୍ୟବର ହେବାପାଇଁକି

ଯାର ବାସନା ମନେ,

ମାନ୍ୟବର ହେବା ବିଧାନ

ଶିଖି ରଖ ଯତନେ ।

 

ସ୍ଥାନୀୟ ସମ୍ୱାଦପତ୍ରିକା

ଯେତେ ଅଛଇ ଯହିଁ,

ନିଜ ବାହାଦୂରୀ ତାଲିକା

ଆଗେ ଲେଖାଅ ତହିଁ ।

 

ପତ୍ରିକାଲେଖକମାନଙ୍କୁ

ଧରି ମନାଅ ମନ,

ଲେଖନ୍ତୁ ଦି’ କଥା ତୁମ୍ଭଙ୍କୁ

ଦେଇ ଉଚ୍ଚ ଆସନ ।

 

ବନ୍ଧୁ ବାନ୍ଧବଙ୍କୁ କହିବ

ଯେବେ ବିନୟ ଭାଷା,

ସହାୟ ହେବାକୁ ସେମାନେ

ନିଶ୍ଚେଁ ଦେବେଟି ଆଶା ।

 

ମାନ୍ୟବରଗିରି ତୁମ୍ଭର

ଯାହା ଯାହା କଥାରେ

ରହିଛି ନିର୍ଭର, ତାହାଙ୍କୁ

ଟେକି ନିଅ ମଥାରେ ।

 

ପ୍ରଥମେ ଭେଟିବାପାଇଁକି

ସଦା ହୁଅ ତତ୍ପର,

ଯେ ଯହିଁ ରହନ୍ତୁ ପଛକେ

ଯାଇ ତାହାଙ୍କୁ ଧର ।

 

ଗୁଣ ଚିହ୍ନାଚିହ୍ନି ବିଚାର

ରଖି ଦିଅ ଏ ବେଳେ,

ଯୋଗାଡ଼ରେ ଜିଣି ପାରିଲେ

କାର୍ଯ୍ୟ ଲଭିବ ହେଳେ ।

 

ମାନ୍ୟବର ପଦ ମିଳଇ

ଖାଲି ଧରାଧରିରେ,

ମାନ୍ୟବର ପଦ ମିଳଇ

ଆଖି ଠରାଠରିରେ ।

 

କାହା ସଙ୍ଗେ କାହା ପୀରତି

ଉଣ୍ଡି ଉଣ୍ଡି ସକଳ,

କଉଶଳେ ଖଞ୍ଜ ଯେସନେ

କେଳା ଯୋଖଇ ନଳ ।

 

ନଚାଇ ଜାଣିଲେ ନାଚନ୍ତି

ବ୍ୟାଘ୍ର ଭଲ୍ଲୁକଗଣ,

ମତାଇ ଜାଣିଲେ ମାତନ୍ତି

କେତେ ମହତଜନ ।

 

ମାନ ଅପମାନ ଜ୍ଞାନକୁ

ଭୁଲି ମାସେ ଦି’ମାସେ,

ଉଚ୍ଚ ନୀଚ ଭେଦ ନ କରି

ଯାଅ ସବୁରି ପାଶେ ।

 

ସତ ବୋଲି ଯାହା ବୁଝିବ

ତାହା ରଖିବ ଜାକି,

ଯାହା ଯହିଁ କଥା କହିବ

ତହିଁ ଥିବଟି ଫାଙ୍କି ।

 

ଗରିବ ମୁଖରେ ଯେ କଥା

ମିଛ ବୋଲିର ଜଣା,

ବଡ଼ଲୋକଠାରେ ସେତକ

ବଡ଼ ଗୁଣରେ ଗଣା ।

 

ଅନ୍ତ ଗୁଡ଼ୁ ଗୁଡ଼ୁ ହେଲେହେଁ

ସଦା ମୁହଁଟାଣରେ

ଧେଣ୍ଡୁରା ବଜାଇ ବୁଲିବ-

ସବୁ ମୋହ ହାତରେ ।

 

ଯାହା ହାତେ ଚୁଟି ପଡ଼ଇ

ହେଲେ ଦଣ୍ଡକପାଇଁ,

ପ୍ରକୃତି ବିଧାନେ ସେ ତାହା

ଧରି ଦିଏ ହଲାଇ ।

 

‘‘ବଚନଦାତାଙ୍କୁ’’ ପ୍ରଥମେ

ଯାଇ ଭେଟ କାଳରେ,

ନିଶ ଫୁଲାଇ ସେ କହିବେ

କଥା କେତେ ରଙ୍ଗରେ ।

 

ସ୍ୱାଧୀନଚେତା ସେ ଜଣକ

ସାରା ଖଣ୍ଡମଣ୍ଡଳେ,

ଗଢ଼ିଅଛି ପରା ବିଧାତା

ରଖିଅଛି ଏ ସ୍ଥଳେ ।

 

ଦେଶଟା ରଖିବା କିଅବା

ଭସାଇବା ବିଚାର

ତାଙ୍କ ପରେ ବିହି ନିହିଛି

ବଡ଼ ଗୂଢ଼ ବ୍ୟାପାର ।

 

ସହଜେ କେମନ୍ତେ ସେ ପୁଣି

କହି ଦେବେ କଥାରେ,

କେତେ ବିବେଚନା ଖେଳୁଛି

ଏବେ ତାଙ୍କ ମଥାରେ ।

 

ନିଜ ଗୁଣ କେତେ ଗାଇବେ

ଶୁଣି ହେବ ଚକିତ,

ଏକା ସେହି ସିନା ବୁଝନ୍ତି

ଯାହା ଜଗତ ହିତ ।

 

ଜନନୀ ଗର୍ଭରେ ଯେକାଳେ

ଥିଲେ ସେ ମହାଜନ,

ଦେଶହିତବ୍ରତେ ନିବେଶି-

ଛନ୍ତି ସେକାଳୁ ମନ ।

 

ଶୁଣି କଦାଚିତେ ଚମକି

ଯିବ ନାହିଁଟି ଭାଇ,

ହେଜିବ ମାନସେ କି ବୁଟି

ଲୋଡ଼ା ଏହାଙ୍କପାଇଁ ।

 

ଦୋନଳୀ ବନ୍ଧୁକ ସନ୍ଧାନେ

ଗୋଟା ଉଡ଼ିଲେ ଗୁଳି,

ଆର ଗୁଳିଟାରେ ଜନ୍ତୁଟା

ନିଶ୍ଚେ ଚୁମ୍ୱିବ ଧୂଳି ।

 

ବୁଝ କାହା ପାଶେ ଅଟନ୍ତି

ସେହୁ ଧାରତାବନ୍ଧା,

କାହା ଅନ୍ନେ ପ୍ରତିପାଳିତ

କାହିଁ କେମନ୍ତେ ଛନ୍ଦା ।

 

ଚୋଖା ଚୋଖା ବାଣ ଯୋଖିଲେ

ରୋଖା କଥା ହଜିବ,

ବାଣୁଆ ଆଖିରୁ ଶିକାର

ଧାଇଁ କାହିଁ ଲୁଚିବ !

 

ଶାର୍ଦ୍ଦୂଳ ହୋଇବ ବିରାଡି

ମୋହମନ୍ତ୍ର ବଳରେ,

ଆଖି ବୁଜି ନାକ ଚାଟିବ

ବସି ହାଣ୍ଡିଶାଳରେ ।

 

ମାଛରଙ୍କା ମାଛ ଝାମ୍ପିଣ

ଯେବେ ଉଡ଼ି ଯିବଟି,

ସଞ୍ଚାଣ ହୋଇଣ ତା ମୁଖୁଁ

ଝାମ୍ପି ନେବ ମାଛଟି ।

 

ଚୋରି ବାଟପାରି ଡରକୁ

ବାଟ ଘାଟ ଜଗିବ,

ରେଳ ଇଷ୍ଟେସନ ମୁହଁରେ

ନିଜେ ଯାଇଁ ବସିବ ।

 

ପୁରୀ ଯାଇ ପଣ୍ଡାପଣିଆ

ଶିଖି ଆସ ବହନ,

ଇଷ୍ଟେସନଠାରେ ଯାତିରି

ଧରାଧରି କେସନ ।

 

ଗାଡ଼ି ଘୋଡ଼ା ବାଛି ରଖିବ

ଯେବେ ଆଗହୁଁ ଟାଣ,

ଝିଙ୍କିଝାଙ୍କି ଟାଣି ଆଣିବ

ଯାଉ ପଛେ ତା ପ୍ରାଣ ।

 

ନିତି ଗଣୁଥିବ କେତେଟା

ହାତ ମୁଠାକୁ ଗଲେ,

କାହା ଦୂତ କାହିଁ ବୁଲନ୍ତି

କାହିଁ କିଅବା କଲେ ।

 

ଶୟନ ଭୋଜନ ପାସୋରି

ଦିନ କେଇଟାପାଇଁ

ଦିବା ନିଶି ଧାଇଁ ବୁଲିବ

ଚଉପାଶକୁ ଚାହିଁ ।

 

ପର ଦୂତ ହୋଇ କେ ପୁଣି

ତୁମ୍ଭ ପେଟକୁ ଆସି,

କେତେ ପତିଆରା ଦେଖାଇ

ଦେବେ ଗଳାରେ ଫାଶି ।

 

ଏତେ ଦଡ଼ମଡ଼ି ଏଡ଼ିଲେ

ମାନ୍ୟବର ହୋଇବ,

ଅମାନ୍ୟବରଙ୍କ ଉପରେ

ତୁମ୍ଭ ନାମ ଉଠିବ ।

 

ଗୋଡ଼ାଇ ଜାଣିଲେ ଏ କାଳେ

ଅତି କଉଶଳରେ,

ମାନ୍ୟବର ପଦ ଲାଖିବ

କିଛିକାଳ ପଛରେ ।

 

ଦେଶଉଦ୍ଧାର ଯା କରିବ

ଜଣା ଅଛି ଦେଶକୁ,

କହିଲି ମୁଁ ଆଜି ଏତକ,

ବୁଝା ଯିବ ଶେଷକୁ ।