Unknown

ବ୍ରହ୍ମ ସଙ୍ଗୀତ

ଶ୍ରୀ ବିଶ୍ୱନାଥ କର

ଲଳିତ ବିଭାସ – ଏକତାଳୀ

ପାହିଲାଣି ରାତି            ପ୍ରେମାନନ୍ଦେ ମାତି

ଗାଅରେ ପ୍ରଭାତୀ ସୁମଙ୍ଗଳ ଗୀତ,

ଉଠ ନର ନାରୀ            ସ୍ମରି ହିତକାରୀ

ପାପତାପହାରୀ ପ୍ରାଣେଶ ଚରିତ ।

 

ଧୀରେ ଧୀରେ ଜ୍ୟୋତି ଲଭି ବସୁମତୀ

ପୂଜେ ବିଶ୍ୱପତି ପ୍ରେମ-ଭକ୍ତିଭରେ,

ସୁରଭି ସମୀରେ            ଢାଳି ଧୀରେ ଧୀରେ

ବିମଳ ଶିଶିରେ ବନ୍ଦେ ଶ୍ରୀପୟରେ ।

 

ନାନାବିଧ ଛନ୍ଦେ            ଧରଣୀ ଆନନ୍ଦେ

ଭକ୍ତିଭରେ ବନ୍ଦେ ବିହଙ୍ଗ-କଣ୍ଠରେ,

ଏ ପବିତ୍ର କାଳେ            ନବ ପୁଷ୍ପମାଳେ

ଆନନ୍ଦରେ ଢ଼ାଳେ ବିଭୁ ଚରଣରେ ।

 

ନବୀନ ଆଶରେ            ସରବେ ସଂସାରେ

ବିଭୁ ପ୍ରଶଂସାରେ ରସ ରନ ନାରୀ,

ଏ ଶୁଭ ପ୍ରଭାତେ            ଯୋଡ଼ି ବେନି ହାତେ

ଡ଼ାକି ପ୍ରାଣନାଥେ ଲଭ ଶାନ୍ତି-କାରି ।୧।

 

ରାଗିଣୀ ଲଳିତ-ତାଳ ଆଡ଼ା ଠେକା

ଆଜିଏ ଆକାଶ ପୂରି      ଅମୃତ ମଧୁର ରବେ

କି ବୀଣା ବାଜଇ ଘୋଷି ଜାଗରେ ଜାଗ ସରବେ ।

ଘୋର ମୋହ-ନିଦ୍ରା ତେଜି      ଏ ଅମୃତ ବାଣୀ ହେଜି

ଅମୃତର ଅଧିକାରୀ ଉଠ ହେ ଉଠ ମାନବେ ।

 

ଅସତ୍ୟର ଅଧୀନତା      ପାପ ତାପର ହୀନତା

ଅଧର୍ମର ନାଗପାଶ ଖଣ୍ଡି ଦଣ୍ଡକେ ସରବେ,

ଫିଙ୍ଗି ଦୂରେ ମୋହରାଶି      ଉଠ ହେ ଭାରତବାସୀ

ବିଧାତାର ଆଶୀର୍ବାଦ ଲଭିବ ଯଦି ଏ ଭବେ ।

 

ଫେଡି ନେତ୍ର ଦେଖ ବାରେ      ନାଶି ପାପ-ଅନ୍ଧକାରେ

ବିରାଜିତ ମୁକ୍ତିଦାତା ପୁଣ୍ୟ ମହିମା ଗୌରବେ,

ମହାନନ୍ଦେ ନରନାରୀ      ତାଙ୍କରି ଜୟ ଉଚ୍ଚାରି

ପବିତ୍ର ଶୁଭ ସମ୍ପଦ ଭୁଞ୍ଜ ମହାମହୋତ୍ସବେ ।୨।

 

କାମୋଦୀ- ଆଦି ତାଳ

ଜଗଦ୍ବାସୀ ନରନାରୀ ଆସ ଆସ ବହନ,

ଅମୃତ ସଙ୍ଗୀତ ଆଜି ଶୁଣ ଡ଼େରି ଶ୍ରବଣ ।

ଜୀବର ମୁକ୍ତି ସମ୍ବାଦ      ସ୍ୱର୍ଗର ବିଜୟନାଦ

ରହିରଛି ପୂରି ଆଜି ଏ ପୃଥିବୀ ଗଗନ ।

 

କହନ୍ତି ବ୍ରହ୍ମାଣ୍ଡେଶ୍ୱର,      ମୋହ-ନିଦ୍ରା ପରିହର,

ଜାଗ ଜାଗ ଜଗଦ୍ଦାସୀ ଫେଡ଼ି ପ୍ରେମ-ଲୋଚନ ।

ଦେଖ ପ୍ରେମ-ହସ୍ତ ମୋର      ଘୋର ପାପବନ୍ଧଡ଼ୋର

କ୍ଷଣକେ ଛିଣ୍ଡାଇ ତୋର କରୁଅଛି ମୋଚନ ।

 

ବିପୁଳ ଅବନୀକ୍ଷେତ୍ରେ      ଉଭା ହୋଇ ପ୍ରେମନେତ୍ରେ

ଦେଖ ବ୍ରହ୍ମ ବିଧାନର ପୁଣ୍ୟ ଅବତରଣ ।

ଦେଶ ବର୍ଣ୍ଣ ଜାତି ଭେଦ      ସର୍ବ ଅପ୍ରେମ ବିଚ୍ଛେଦ

ବିନାଶି, ପ୍ରେମର ରାଜ୍ୟ କରୁଅଛି ସ୍ଥାପନ ।

 

ଅସତ୍ୟର କାରାଗାର      ଅବନୀର ଦୁଃଖଭାର

ହିଂସା ମଦ ଅହଙ୍କାର ସଂହାରୁଛି ବହନ ।

ପ୍ରେମେ ପୁଣ୍ୟେ ଜ୍ୟୋତିର୍ମୟ       ପବିତ୍ର ସତ୍ୟନିଳୟ

ଏ ବିଧାନ ମୁକ୍ତମୟ ଉଜଳଇ ଭୁବନ ।

 

ମହାସମନ୍ୱୟକାରୀ            ସାଧୁଭକ୍ତ ଚିତ୍ତହାରୀ

ଇହ ପର କାଳ ସେତୁ-ରୂପେ ରାଜେ ଶୋଭନ ।

ଆସ ଉତ୍ତର ଦକ୍ଷିଣ,      ଆସ ପୂରୁବ ପଶ୍ଚିମ,

ଆସ ଦୁଃଖୀ ପରାଧୀନ ଆସ ହେ ନିଖିଳ ଜନ ।

ଆସ ଆସ ବେଗେ ଧାଇଁ,      ଭୟ ନାହିଁ, ଭୟ ନାହିଁ,

ମୁକ୍ତିରାଜ୍ୟ ଅବତୀର୍ଣ୍ଣ ଘେନ ଘେନ ଶରଣ ।୩।

 

ଝିଁଝିଟ-ଏକତାଳା

ବାଜଇ ଆହା ଆନନ୍ଦ ବାଣୀ ମହାଗଗନେ,

ସେ ମହାତାନେ ଭୁବନ ପ୍ରାଣ ନାଚେ ସଘନେ ।

 

ତାଳେ ତାଳେ ରବି ଚନ୍ଦ୍ରମା ତାରା

ନାଚନ୍ତି ଢ଼ାଳିଣ କିରଣଧାରା,

ଦ୍ୟୁଲୋକ ଧରା ପୁଲକଭରା ଧ୍ୱନି ଶ୍ରବଣେ ।

 

ପୁଲକେ ଚପଳା ଚମକେ ମେଘେ,

ଅନ୍ତରୀକ୍ଷେ ବାୟୁ ବହଇ ବେଗେ,

ପୁଲକ ଉପୁଜେ ମର୍ମେ ମର୍ମେ ଗିରି କାନନେ ।

 

ସଙ୍ଗୀତଲହରୀ ବିବିଧ ଛନ୍ଦେ,

ଉଛୁଳଇ ବିଶ୍ୱେ ମହା ଆନନ୍ଦେ,

ବିର୍ଷ ଋତୁ ମାସ ପକ୍ଷ ଦିନ ଆୟନେ ।

 

ସେ ବୀଣାର ସ୍ୱରତରଙ୍ଗ ପ୍ଳାବେ

ଚିଦାନନ୍ଦମୟ ଅତୁଳ ଭାବେ,

ଦେବ ଋଷି ଭକ୍ତ ସାଧୁ କବି ଜୀବନେ ।୪।

 

ଭାଟିଆରୀ- ଆଡ଼ତାଳୀ

ଗାଅ ସର୍ବେ,

ତାଙ୍କରି ମହିମା            ଜୟ ଜୟ ରବେ ।

ସେ ଅନାଥନାଥ ଭଗବାନ,

ତାଙ୍କ ବିନା ଭବେ ନାହିଁ ତ୍ରାଣ,

ପ୍ରେମାନନ୍ଦେ ମାତି            ସେ ଅଭୟପଦେ

ଏ ଜୀବନ କର ବଳିଦାନ ।

 

ହୃଦୟନନ୍ଦନ ପ୍ରାଣାରାମ

ପ୍ରାଣେଶ୍ୱର ପ୍ରାଣସଖା ନାମ

ଭଜ ନିରନ୍ତର      ଜୀବନେ ମରଣେ

ସେ ଏକା ଶରଣ ଶାନ୍ତିଧାମ ।

 

ତାଙ୍କ ପାଦପଦ୍ମ ଆଶ୍ରା କରି

ଯିବା ସର୍ବେ ଭବ-ସିନ୍ଧୁ ତରି,

ସେ ଅଭୟଦାତା            ତାରିବେ ନିମିଷେ

ସର୍ବ ପାପ ତାପ ଭୟ ହରି ।

 

ଅସୀମ ଆକାଶେ ଜଳେ ସ୍ଥଳେ

ତାଙ୍କ ଶ୍ରୀଚରଣ ଛାୟାତଳେ,

ମହିମାର ଲୀଳା            ଲାଗିଛି ସନ୍ତତ

ଦେଖି ଭାସେ ଭକ୍ତ ଅଶ୍ରୁଜଳେ ।୫।

 

ରେଗୁପ୍ତ-ତ୍ରିପଟା

ମୋ ମନ ସୁମନ ଦେଇ ହରିପଦ ପୂଜିବି ରେ ।

ଅଧମତାରଣ ହରି ଏ ଅଧମେ କୃପା କରି

ଆସିବେ ହୃଦକୁଟୀରେ, ମହାନନ୍ଦେ ମଜିବି ରେ ।

 

ସେ ବିଶ୍ୱମୋହନ ମୁଖ ଦେଖି ପାସୋରିବି ଦୁଃଖ,

ନରକର କୀଟ ମୁହିଁ ଦେବଭାବ ଭଜିବି ରେ ।

ଅନାଇଥିବି ତାହାଙ୍କୁ, କହିବି ପ୍ରାଣନାହାଙ୍କୁ

ସେ ପଦରାଜୀବ ଛାଡ଼ି କାହିଁ ଆଉ ନ ଯିବି ରେ ।୬।

 

ଝିଞ୍ଜିଟି-ଠୁମୁରି

ଧ୍ୟାନ କର ପ୍ରାଣ ମମ ସତ୍ୟ ଶିବ ସୁନ୍ଦରେ,

ଦଗ୍ଧ ଚିତ ମଗ୍ନ ହୁଅ ଶାନ୍ତି-ସୁଧା-ସାଗରେ ।

ସ୍ନାନ କର ତପ୍ତ ପ୍ରାଣ ପୁଣ୍ୟ ସୁଧାନିର୍ଝରେ,

ସେ ଅମୃତପାନେ ତୃଷା ତୃପ୍ତ କର ନିର୍ଭରେ ।୭।

 

ଖମ୍ବାଜ- ଏକତାଲା

ଉଠ ହେ ଉଠ ହେ

ବୀରବେଶେ ବ୍ରହ୍ମ-ସେନା

ବିଭୁ-ରଣ-ଭେରୀ ଶୁଣି କର୍ଣ୍ଣରେ ।

 

ରାଜସେନା ମଧ୍ୟେ ନାମ ଲେଖି

ତାଙ୍କ ଆଜ୍ଞାକୁ ସଦା ଉପେକ୍ଷି,

ନିଦ୍ରା ଯାଅ ଏବେ କିପାଇଁ ରଣକ୍ଷେତ୍ରରେ ।

 

ଧର୍ମଯୁଦ୍ଧେ ପ୍ରାଣ ଗଲେ ଭାଇ,

ଲଜ୍ଜା କେଭେ ତ ସେଥିରେ ନାହିଁ,

ମରିବ ତ ଯେବେ ମର ଧରମଯୁଦ୍ଧରେ ।

 

ଧରି ସତ୍ୟ-ଧ୍ୱଜା ସର୍ବେ କରେ

ଗାଅ ସତ୍ୟ-ଜୟ ସଗର୍ବରେ,

ସେନାପତି ବ୍ରହ୍ମ ଦେଖ ଅଛନ୍ତି ପାର୍ଶ୍ୱରେ ।

 

ବଳ ପ୍ରତି ଅପେକ୍ଷା କରିଲେ

ତାହା ନ ପାଇବ କେଭେ ତିଳେ,

ଯୁଦ୍ଧ କଲେ ବଳେ ନିଶ୍ଚେ ଆସିବ ଦେହରେ ।

 

ରାଜଆଜ୍ଞା ପ୍ରତି ଭୟ କରି

ଆଉ କାହାକୁ ପ୍ରାଣେ ନ ଡ଼ରି,

ପ୍ରାର୍ଥନାସ୍ତ୍ର ଘେନି ପଶ ସମର ମଧ୍ୟରେ ।୮।

 

ରାଗିଣୀ- ଝିଁଝଟ

ତାଳ- ଏକତାଳୀ

କି ସୁଖର ଆଶେ ସଂସାର ବିଦେଶେ

ରହିବାକୁ ଆଶା ହୋଇବ ?

ପ୍ରଭୁର ସେବାରେ ସେବକ ହୋଇ

ଏ ଦେହୁଁ କି ମୋର ଜୀବନ ଯିବ ?

 

ନିରାଶା ବିଚ୍ଛେଦେ ଶୋକ ବ୍ୟାକୁଳେ

ବିଭୁ ଇଚ୍ଛା ଜୟ ଗାଇବ ।

ଧନ ଜନ ମାନ କଣ୍ଟକେ ପୂର୍ଣ୍ଣ

ପ୍ରତିକ୍ଷଣେ କ୍ଷତି କରେ ଜୀବନ,

ବ୍ୟଥା ପାଇ ପ୍ରାଣ ସୁଖ ଆଶାରେ

ଇଚ୍ଛା କରେ ସର୍ବ ତ୍ୟଜିବ ।

 

ଅସାର ସଂସାରେ ନିରାଶ ହୋଇ

କାନ୍ଦିଲେ କି କେବେ ସୁଖ ମିଳିବ,

କାହିଁ ସୁଖ ଶାନ୍ତି ଏ ଜୀବନରେ

କାନ୍ଦି କାନ୍ଦି ପ୍ରାଣ ଶୁଖିବ ।

 

ପ୍ରକୃତ ଜୀବନ ପ୍ରକୃତ ଶାନ୍ତି

ଇଚ୍ଛ ଯେବେ କେହି ଭବେ ଲଭିବ,

କାନ୍ଦି କାନ୍ଦି ତେବେ ପ୍ରଭୁ ସେବାରେ

ଉତ୍ସର୍ଗ କର ତୁ ଏ ଜୀବ ।୯।

 

ରାଗିଣୀ- ଲଳିତ

ତାଳ- ଆଡ଼ାଠେକା

‘ମୁଁ ଅଛି’ ଅନନ୍ତ- ସ୍ୱରେ ଆଜି ଅନନ୍ତ ଜନନୀ

ଘୋଷୁଛନ୍ତି ବିଶ୍ୱେ ସତ୍ୟ କମ୍ପାଇ ବିଶ୍ୱଧମନୀ ।

ଆଜି ସର୍ବ ଏକାକାର ଦେଶାଚାର କୁଳାଚାର

ହୋଇଅଛି ଛିନ୍ନ ଦେଖ ସ୍ୱର୍ଗ ହୋଇଛି ଅବନୀ ।

 

ଅମର ସନ୍ତାନ ସର୍ବେ ଗାଅ ଅମର ସଙ୍ଗୀତ,

ଅନନ୍ତ-ଉତ୍ସବ-ସ୍ରୋତେ ଭାସୁ ଜୀବନ-ତରଣୀ ।

ଉପଧର୍ମ କୁସଂସ୍କାର ଅରୁଥିଲା ଅତ୍ୟାଚାର,

ସତ୍ୟର ବିଜୟ ଭେରୀ ଶୁଣି ଛାଡ଼ିଛି ଧରଣୀ ।

 

‘ସତ୍ୟମେବ ଜୟତେ ଆଜି ସ୍ୱର୍ଣ୍ଣାକ୍ଷରେ ଲେଖା

ହୋଇଛି ସର୍ବ ସ୍ଥାନରେ ନାଚୁଛି ପ୍ରେମେ ଅବନୀ ।

ଶୁଣ ହେ ଜଗତବାସି, ଶୁଣ ଉତ୍କଳନିବାସି,

ସତ୍ୟମନ୍ତ୍ର ଦୀକ୍ଷା ଘେନି ଛାଡ଼ି ଅସତ୍ୟ-ସରଣୀ ।୧୦।

 

ଇଂରାଜୀ ସ୍ୱର

ଫେଡି ନୟନ      କର ହେ ଦର୍ଶନ

ଭାରତାକାଶେ      ନବୀନ ତପନ

ହୋଇ ଉଦୟ      ଗାଇ ବ୍ରହ୍ମ-ଜୟ,

ପୁଣ୍ୟ କିରଣ      କରୁଛି ବର୍ଷଣ ।

 

ଉଠ ହେ ଉଠ      ନ କରିଣ ମଠ,

ପ୍ରେମର ଡ଼ାଲା      ସାଜ ହେ ବହନ ।

ଭକ୍ତି- ଚନ୍ଦନେ      ପୁଣ୍ୟର ବସନେ

ହୋଇ ଭୂଷିତ      କର ଆଗମନ ।

 

ନବୀନ ବର୍ଷେ      ମନର ହରଷେ,

ନର ନାରୀଏ      କର ସଂକୀର୍ତ୍ତନ ।

ବିଶ୍ୱାସ-ଅଗ୍ନି      ଜାଳି ଭ୍ରାତା ଭଗ୍ନି

ଡାକ ପ୍ରାଣେଶେ      ଦେଇ ପ୍ରାଣ ମନ ।

 

ଆତ୍ମା-ଘୃତରେ      ଶରୀର-କାଷ୍ଠରେ

ଜୀବନ-ଯଜ୍ଞ      କର ସମାପନ ।୧୧।

 

ଖମ୍ବାଜ- ତେତାଲା

ଏ ଘୋର ଗହନ ଭବେ      ମହା ହାହାକାର ରବେ

କାହିଁକି ଭ୍ରମୁଛ ଦଗ୍ଧ ପ୍ରାଣେ ।

କରୁଣାବରୁଣାଳୟ            ବିଧାତା ମଙ୍ଗଳମୟ

ସେ ସତ୍ୟ ସୁନ୍ଦର ସଖା ଛନ୍ତି ସନ୍ନିଧାନେ ।

 

ଦଗ୍ଧ ପ୍ରାଣର ବିଶ୍ରାମ      ଆତ୍ମାର ଆନନ୍ଦଧାମ

ଲୋଡ଼ ରେ ବ୍ୟାକୁଳ ଚିତ୍ତେ ସେହି ପ୍ରାଣାରାମେ ।

ଆସ ରେ ଆସ ରେ ପାଶେ      ଫେଡ଼ିବି ତୋ ଦୁଃଖପାଶେ

ବୋଲି ଡାକୁଛନ୍ତି ସଖା ଶୁଣ ଶୁଣ ଧ୍ୟାନେ ।୧୨।

 

ଲଳିତ- ଆଡ଼ାଠେକା

ଆସ ଆସ ଆସ ଭାଇ      ବ୍ରହ୍ମ ପ୍ରେମ ନିକେତନେ,

ପୂଜିବା ଆନନ୍ଦେ ମିଳି      ପ୍ରେମମୟ ଶ୍ରୀଚରଣେ ।

କ୍ଷୁଦ୍ର ନୀଚ ଅହଙ୍କାର,      ହିଂସା କ୍ରୋଧାଦି ବିକାର,

କୁଟିଳ ସ୍ୱାର୍ଥ ବିଚାର      ନ ରହୁ କାହାର ମନେ ।

 

କ୍ଷମାସିନ୍ଧୁ ହରି ନିଜେ      ହୃଦୟେ କରନ୍ତୁ ବିଜେ,

ବିକାଶନ୍ତୁ କ୍ଷମା-ବୀଜେ      ସନ୍ତାନ ହୃଦ-କାନନେ ।

ବ୍ରହ୍ମସତ୍ୟର ବାରତା      ବ୍ରହ୍ମପ୍ରେମଗଭୀରତା

ସେ ପ୍ରେମର ଉଦାରତା      ହେଜ ଭାଇ ହେଜ କ୍ଷଣେ ।

 

ପ୍ରେମମହିମା ସୁମରି      ଆସ ଭାଇ ଆଶା କରି,

ମିଳାଇବେ ନିଜେ ହରି      ମହାପ୍ରେମର ମିଳନେ ।୧୩।

 

ଜୟ ଜୟନ୍ତୀ- ଆଠତାଳୀ

ସର୍ବେ ମିଳି ଡାକ ବ୍ରହ୍ମେ      ବ୍ରହ୍ମାଣ୍ଡ-ଈଶ୍ୱର ହେ,

ସେହି ବ୍ରହ୍ମ ନାମ ବାଜୁ ହୃଦ-ମୃଦଙ୍ଗରେ ହେ ।

ଅନନ୍ତ ସୁନୀଳ ବ୍ୟୋମେ      ନକ୍ଷତ୍ର ଭାସ୍କର ସୋମେ

ବିରାଜିତ ମହେଶ୍ୱର ଜୀବନରୂପରେ ହେ ।

 

ବିସ୍ତୀର୍ଣ୍ଣ ଅବନୀତଳ            ନଦୀ ସମୁଦ୍ର ଅଚଳ

ପ୍ରକାଶନ୍ତି ବିଭୁକୀର୍ତ୍ତି ସର୍ବ ସମୟରେ ହେ ।

ଅସଂଖ୍ୟ ବାରିଦରାଜି            ଅନ୍ତରୀକ୍ଷରେ ବିରାଜି

ଘୋଷନ୍ତି ବିଭୁଙ୍କ ନାମ ଗମ୍ଭୀର ନାଦରେ ହେ ।

 

ଗାଅ ସର୍ବେ ସେହି ନାମ      ମଙ୍ଗଳ ଶାନ୍ତିର ଧାମ,

ନ ରହିବ ପାପ ତାପ ଆଉ ହୃଦୟରେ ହେ ।୧୪।

 

ଭୈରବ- ଚୌତାଳ

ବ୍ରହ୍ମ ଜୟ ଗାଇ ଗାଇ      ଚାଲ ସର୍ବେ ଚାଲ ଭାଇ

ପବିତ୍ର ଆନନ୍ଦେ ଧ୍ୟାୟି      ତାଙ୍କରି ଅମୃତ ଧାମ ।

ପ୍ରାଣଗୁରୁ ତାଙ୍କୁ ଜାଣି      ପ୍ରେମ ଭକ୍ତି ଭାବ ଆଣି

ଶୁଣି ତାଙ୍କ ବେଦବାଣୀ      ହୁଅ ସର୍ବେ ପୂର୍ଣ୍ଣକାମ ।

ବିଶ୍ୱାସେ ଦର୍ଶନ କରି      ପରମ ସୁନ୍ଦର ହରି

ତାଙ୍କ ଶ୍ରୀଚରଣ ଧରି      କର ବିନୟେ ପ୍ରଣାମ ।୧୫।

 

ଭୈରବୀ-ଆଠତାଳୀ

ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ,

ତା ପଦ ଚିନ୍ତନେ ମୋର ଦିନ ଯାଉ ।

କୋଟି ଶଶୀ ପ୍ରଭାକର            ଜିଣି ଅସୀମ ସୁନ୍ଦର

ବ୍ରହ୍ମପାଦପଦ୍ମ ଦିଶେ ଦାଉ ଦାଉ ।

 

ସେ ପଦ ମୋ ଧ୍ରୁବତାରା            ବରଷଇ ସୁଧାଧାରା

ମୋ ବିଶ୍ୱାସ-ନେତ୍ର ତହିଁ ଲାଖିଥାଉ ।

ପ୍ରେମମମୟ ହିତକାରୀ            ପାପତାପଭୟହାରୀ

ତା ପ୍ରେମ-ସିନ୍ଧୁରେ ପ୍ରାଣ ଅବଗାହୁ ।୧୬।

 

ଲତିତ- ଆଡ଼ାଠେକା

ରଜନୀ ପାହିଲା ଏବେ ଜାଗ ମନ ଆନନ୍ଦରେ,

ପବିତ୍ର ହୃଦୟେ ପୂଜ ପ୍ରେମସିନ୍ଧ ମହେଶ୍ୱରେ ।

ଆକାଶେ ନବୀନ ରବି            କିବା ଜ୍ୟୋତିର୍ମୟ ଛବି

ଜଗତ ଅନ୍ଧାର ହରି ବନ୍ଦେ ବିଶ୍ୱଧୁରନ୍ଧରେ ।

 

କୁସୁମକାନନବତୀ            ମନୋହରା ବସୁମତୀ

ସୁମଧୁର ତାନେ ସ୍ତୁତି କରେ ବିହଙ୍ଗକଣ୍ଠରେ ।

ଏ ଶୁଭ କାଳରେ ମନ      ଚିନ୍ତ ନିତ୍ୟ ନିରଞ୍ଜନ

ତାଙ୍କରି ପବିତ୍ର ନାମ ଗାଅ ପବିତ୍ର ଅନ୍ତରେ

ସାର୍ଥକ ହେବ ଜୀବନ      ମିଳିବ ଅମୃତ-ଧନ

ବିରାଜିବ ଶାନ୍ତି-ପଦ୍ମ ସ୍ୱଚ୍ଛ ହୃଦ-ସରୋବର ।୧୭।

 

ଝିଁଝିଟି- କୀର୍ତ୍ତନ

ବ୍ରହ୍ମନାମ ମହାମନ୍ତ୍ର କର କର ରେ ଗ୍ରହଣ,

ବ୍ରହ୍ମରୂପ ସମୁଦ୍ରରେ ପ୍ରେମେ ହୁଅ ନିଗମନ ।

ଭୂଲୋକେ ଦ୍ୟୂଲୋକେ ବ୍ରହ୍ମ            ସାଗରେ ପର୍ବତେ ବ୍ରହ୍ମ

ଜଳେ ବ୍ରହ୍ମ ସ୍ଥଳେ ବ୍ରହ୍ମ ବିଶ୍ୱ ବ୍ରହ୍ମନିକେତନ ।

 

ଶୋଣିତେ ନିଶ୍ୱାସେ ବ୍ରହ୍ମ      ସର୍ବ ଇନ୍ଦ୍ରିୟରେ ବ୍ରହ୍ମ

ବୁଦ୍ଧି ହୃଦୟରେ ବ୍ରହ୍ମ ବ୍ରହ୍ମମୟ ଦେହ ମନ ।

ଗୃହେ କାର୍ଯ୍ୟକ୍ଷେତ୍ରେ ବ୍ରହ୍ମ      ଇହ ପର କାଳେ ବ୍ରହ୍ମ

ଜନମେ ମରଣେ ବ୍ରହ୍ମ ଦେଶ କାଳ ବ୍ରହ୍ମେ ପୂର୍ଣ୍ଣ ।

 

ସର୍ବଶକ୍ତି ମୂଳାଧାର            ବ୍ରହ୍ମ ଜ୍ଞାନ- ପାରାବାର

ବ୍ରହ୍ମ ସର୍ବ ସାରାତ୍‌ସାର ବ୍ରହ୍ମ ବ୍ରହ୍ମାଣ୍ଡଜୀବନ ।

ବ୍ରହ୍ମ ଶାସ୍ତ୍ର ବ୍ରହ୍ମ ଗୁରୁ      ବ୍ରହ୍ମ ବାଞ୍ଛାକଳ୍ପତରୁ

ତାରନ୍ତି ସର୍ବ ଭୟରୁ ବ୍ରହ୍ମ ପତିତପାବନ ।

 

ବ୍ରହ୍ମ ପିତା ବ୍ରହ୍ମ ମାତା      ବ୍ରହ୍ମ ନରନାରୀତ୍ରାତ୍ୟ

ବ୍ରହ୍ମ ମଙ୍ଗଳବିଧାତା ବ୍ରହ୍ମ କରୁଣାନିଧାନ ।

ଜୀବର ପରମ ଗତି            ବ୍ରହ୍ମ ସଖା ବ୍ରହ୍ମ ପତି

ବ୍ରହ୍ମ ଚରଣରେ ମତି ରହୁ ମୋର ଅନୁକ୍ଷଣ ।୧୮।

 

ପୂରବୀ- ଆଡାଠେକା

ସମାଗତ ସାୟଂକାଳ ଚିନ୍ତ ଏବେ ପରାତ୍ପରେ,

ଶାନ୍ତିନିକେତନ ତାଙ୍କ ଶ୍ରୀପଦ ବିଶ୍ୱ ମଧ୍ୟରେ ।

ବିଶ୍ରାମ ଲଭିବା ଆଶେ      ଜୀବକୁଳ ଯେଝା ବାସେ

ନିଜ ନିଜ କାର୍ଯ୍ୟ ସାରି ଧାଉଁଛନ୍ତି ଆନନ୍ଦରେ ।

ରେ ସଂସାରକ୍ଳାନ୍ତ ମନ      ବେଗେ କର ଅନ୍ୱେଷଣ

ପ୍ରଭୁଙ୍କ ଚରଣାଶ୍ରମ ଏବେ ବ୍ୟାକୁଳ ଅନ୍ତରେ ।୧୯।

 

ପରଜ- ଆଡ଼ତାଳୀ

ମୋର ହୃଦୟରେ, କାହିଁକି ଏଡ଼େ ଚପଳ,

ଅନା ଅନା ବାରେ,            ସନ୍ଧ୍ୟା ଗଗନକୁ

ତେଜି ମିଛ କୋଳାହଳ ।

 

ଗୋଟି ଗୋଟି ହୋଇ ଆସୁଛନ୍ତି ଉଇଁ

ଆକାଶରେ ତାରାଦଳ,

କି ସୁନ୍ଦର ପ୍ରଭା            କି ନୀରବ ଶୋଭା

ଦେଖି ନେତ୍ର ସୁଶୀତଳ ।

 

ନଭୃତ ହୃଦୟ-            ଆକାଶରେ ଯେବେ

ସେହିପରି ସୁବିମଳ

ଭାବ-ତାରାପୁଞ୍ଜ            ଉଁଇବ ନୀରବେ

ଜୀବନ ହେବ ସଫଳ ।

 

ଆହା କି ସୁନ୍ଦର            ଭକ୍ତହୃଦଭାବ

ବ୍ରହ୍ମାଲୋକେ ସସୁଜ୍ଜ୍ୱଳ;

ସେହିପରି କେବେ            ସଦ୍ଭାବ ପ୍ରଭାରେ

ପୂରିବ ମୋ ଅନ୍ତସ୍ତଳ ।୨୦।

 

ବାହାର- ଝାମ୍ପତାଳ

ଦ୍ୟୁଲୋକ ଭୂଲୋକ ଆଜି      ଗାଅ ସେ ମହିମା,

ଭଜ ସର୍ବେ ସୁର ନର      ପବିତ୍ର ଆନନ୍ଦେ ।

ଦୀପ୍ତିଦାତା ଭାନୁ ଚନ୍ଦ୍ର      ତାରକାମଣ୍ଡଳୀ

ସର୍ବେ ମିଳି ବନ୍ଦ ଆଜି      ବିଶ୍ୱଧୂରନ୍ଧରେ ।

 

ଗାଅ ମେଘ ବ୍ରହ୍ମନାମ      ଆଜି ଘନଘୋଷେ

ସେ ନାମ ଚପଳା ଆଜି      ଘୋଷ ବ୍ୟୋମେ ବ୍ୟୋମେ ।

ଲହରୀସଙ୍କୁଳ ସିନ୍ଧୁ            କଲ୍ଲୋଳିନୀ ସଙ୍ଗେ

ଗାଅ ସେ ଗମ୍ଭୀର ନାମ      ଗମ୍ଭୀର କଲ୍ଲୋଳେ ।

 

ମଳୟ ପବନ ଗାଅ ଅମୃତ ସଙ୍ଗୀତେ

ପତିତପାବନ ନାମ      ବହି ଧୀରେ ଧୀରେ ।

ବିହଙ୍ଗମକୁଳ ଘୋଷ      ସେ ନାମ ପୁଲକେ

ଝଙ୍କାରି କାନନ ଗିରି      ସୁମଧୁର ତାନେ ।

 

ଜୀବଜନ୍ତୁ ଆଜି କେହି      ନ ରହ ନୀରବ,

ବିଶ୍ୱବାସୀ ସର୍ବେ ଗାଅ      ହୃଦୟପୁଲକେ ।

ରେ ପ୍ରାଣ- ବିହଙ୍ଗ ଆଜି      ସେହି ବ୍ରହ୍ମନାମ

ଗାଅ ଗାଅ ଝଙ୍କାରିଣ      ହୃଦୟକନ୍ଦରେ ।୨୧।

 

ବେହାଗ ଖାମ୍ବାଜ- ପୋସ୍ତୋ

ପୁଛଇ ସର୍ବ ଭୁବନ,            ଅନ୍ତ କାହିଁ ହେ ତାଙ୍କର ।

ଊର୍ଦ୍ଧ୍ୱରେ ମହା ଆକାଶ      ବିସ୍ତାରିତ ଚଉପାଶ

ନ ପାରେ କରି ପ୍ରକାଶ ତାଙ୍କ ତତ୍ତ୍ୱ ଅଗୋଚର ।

ନିମ୍ନେ ମହାପାରାବାର      ବିଚିତ୍ର ଏହି ସଂସାର

ସେ ଗୁପତ ତତ୍ତ୍ୱକଥା      ନ ଜାଣଇ ଚରାଚର ।

 

ବେଦ ବେଦାନ୍ତ ପୁରାଣ      ଦର୍ଶନାଦି ଶାସ୍ତ୍ରମାନ

କେହି ସେହି ତତ୍ତ୍ୱଜ୍ଞାନ      ନ ପାଇଲେ ପ୍ରଭୁଙ୍କର ।

ନିରସ୍ତ ସର୍ବ ସଂସାର,      ବୋଲେ ଅଗମ୍ୟ ଅପାର,

ମହିମାର ପାରାବାର      ଭୂମା ଅନନ୍ତ ଈଶ୍ୱର ।୨୨।

 

ଗାଅ ରେ ପ୍ରଭୁଙ୍କ ନାମ ପୁଣ୍ୟ ସଙ୍ଗୀତ ।

ଯେ ନାମ ଘେନିଲେ ତୁଣ୍ଡ ଖଣ୍ଡେ ଦୂରିତ ।

ନାମ ସଂଙ୍କୀର୍ତ୍ତନ ବାରେ କର ସର୍ବେ ରସନାରେ

ପିଅ ରେ ଭକତିଭରେ ନାମ-ଅମୃତ ।

 

ସେ ପବିତ୍ର ନାମ ହୃଦେ ଧର ରେ ଧର ରେ ମୁଦେ,

ପଳାଇବ ପାପ ତାପ ଶୋକ ତୁରିତ ।

ସେ ପାପହରଣ ନାମ ଧରିଲେ ପାପିର ପ୍ରାଣ

ପୁଣ୍ୟ ଶାନ୍ତି ପ୍ରେମାନନ୍ଦେ ହେବ ପୂରିତ ।୨୩।

 

ରାଗ- ବଙ୍ଗଳାଶ୍ରୀ

ଆସ ଦୁଃଖୀ ତାପୀ            ଉପାସନା-ତୀର୍ଥେ

ଲଭିବ ଶାନ୍ତି ଅପାର ।

ପରମ ପବିତ୍ର            ଉପାସନା-ଭୂମି

ସର୍ବ ତୀର୍ଥ ମଧ୍ୟେ ସାର ।

 

ମହାତୀର୍ଥଭୂମି            ଅତୁଲ୍ୟ ଜଗତେ

ଭକତହୃଦୟାଧାର ।

ଅବତୀର୍ଣ୍ଣ ଯହିଁ            ପାପ-ତାପ-ହାରୀ

ପୂର୍ଣ୍ଣ ବ୍ରହ୍ମ ନିର୍ବିକାର ।

 

ସେହି ସ୍ୱର୍ଗ ଭୂମି            ସେହି ମୋକ୍ଷଧାମ

ଅମୃତ କୈବଲ୍ୟାଧାର ।

ଯହିଁ ପୁଣ୍ୟଧାରା            ଝରି ନିରନ୍ତର

ହରଇ କଳୁଷଭାର ।

 

ପ୍ରତି ପ୍ରାଣେ ପ୍ରାଣେ            ଅଟେ ପ୍ରତିଷ୍ଠିତ

ସେହି ତୀର୍ଥ ମହୋଦାର ।

ଯାଅ ଯାଅ ତହିଁ            ନ କର ବିଳମ୍ବ

ଶୁଣ ଶୁଭ ସମାଚାର ।୨୪।

 

କାମୋଦୀ- ଏକତାଳୀ

ସଂସାର ଜନେ କରା ଅବଧାନ,

ସନ୍ତତେ ଡ଼ାକୁଛନ୍ତି ଭଗବାନ;

ସନ୍ତାନ ସର୍ବେ ମୋର      ତେଜିଣ ମୋହ ଘୋର

ଲଭରେ ସତ୍ୟ ବେଦ ଆତ୍ମଜ୍ଞାନ ।

 

ଆସିଲ କାହୁଁ ଭବେ       ଭାଳିଲ ନାହିଁ ଲବେ

ଲଭିଲ କାହୁଁ ଏହି ଦେହ ପ୍ରାଣ,

ଗମିବ କାହା ପାଶେ      ଅନିତ୍ୟ ଦେହ ନାଶେ

ଏ ସୃଷ୍ଟି ଲୀଳା କହ କା ଭିଆଣ ।

 

ମାତିଛ ଏ ସଂସାରେ      ନିରତେ ସୁଖାଶାରେ

ଲୋଡୁଛ ନିତ୍ୟ ଧନ ଜନ ମାନେ;

ତଥାପି କାହିଁକି ରେ            ବିଚାର ଚିତ୍ତେ ଧୀରେ

ନୋହିଲେ ତୃପ୍ତ କ୍ଷଣେ ମନ ପ୍ରାଣ ।

 

କାହାର ଅଭାବରେ            ହେଜ ହେ ହେଜ ନରେ

ବିଷୟେ ବିଷ ସମ ହୁଏ ଜ୍ଞାନ;

ପ୍ରାଣର ଇଷ୍ଟ ଯାହା            କେ ଆଣି ଦେବ ତାହା

ଚିହ୍ନ ରେ ଚିତ୍ତେ ନିତ୍ୟ କରି ଧ୍ୟାନ ।

 

ପରମ ପିତା ମାତା            ଜୀବର ପରିତ୍ରାତା

ମୁଁ ଜୀବ ପାଶେ ନିତ୍ୟ ବର୍ତ୍ତମାନ;

ଅଛି ମୁଁ ଦେଖ ଧ୍ୟାଇ            ବ୍ରହ୍ମାଣ୍ଡପ୍ରାଣସାଇଁ

ମୋ ବିନୁ ଜୀବାତ୍ମାର ନାହିଁ ଆନ ।

 

ପାସୋରି ମୋର ସ୍ନେହ      କେମନ୍ତେ ଧରି ଦେହ

ରହିଛ ବହି ପାପ କ୍ଳେଶମାନ;

ଜାଗ ରେ ଏବେ ବେଗେ      ଆସରେ ପ୍ରାଣାବେଗେ

ସନ୍ତାନେ ଧାଇଁ ମୋର ସନ୍ନିଧାନ ।୨୫।

 

ବେହାଗ ଖମ୍ବାଜ- ତେଓରା

ମୋର ନିଭୃତ ଗୋପନ ମରମେ

ଆସଇ କେ ଆସଇ ।

ପ୍ରମେ ମୋହନ ମଧୁର ପରଶେ

ରସଇ କେ ରସଇ ।

 

ଏହି ଅପାର ସୁନ୍ଦର ସଂସାରେ

ପୟର ସଧୀରେ ସଞ୍ଚାରେ

ଆସଇ କେ ଆସଇ ।

ଚାରୁ ତାରକା-କୁସୁମ ସୁହାସେ

ହସଇ କେ ହସଇ ।

 

ସୁଧା ବସନ୍ତ ଅନିଳ ହିଲ୍ଲୋଳେ

ସାଗର ସୁନୀଳ କଲ୍ଲୋଳେ

ଭାସଇ କେ ଭାସଇ ।

ମୋର ଅସ୍ଫୁଟ ଗୋପନ ରୋଦନେ

ଆସଇ କେ ଆସଇ ।୨୬।

 

ସାହାନା- ଝାଁପତାଳ

ଘନ ଗମ୍ଭୀର ଏହି ଘନୋଦୟ ମାସେ ।

ଗାଆରେ ସଘନେ ଆଜି ସେ ମହାମହେଶେ ।

ଏହି ପଞ୍ଚବିଂଶ ଅବ୍ଦ            ଯେଉଁ ବ୍ରହ୍ମ ନାମ ଶବ୍ଦ

ଘୋଷିଅଛି କ୍ଷୀଣସ୍ୱରେ ଏ ଉତ୍କଳ ଦେଶେ,

 

ସେ ନାମର ଜୟରବେ      ମାତ ହେ ଆଜି ସରବେ

ଅବନତି ଅପନୀତ ହେବ ହେ ନିମେଷେ ।

ଲଭିବ ନବୀନ ପ୍ରାଣ      ଘୋଷିଲେ ସେ ବ୍ରହ୍ମ ନାମ

ବିସର୍ଜିଲେ ଏ ଜୀବନ ପ୍ରଭୁଙ୍କ ଉଦ୍ଦେଶେ ।୨୭।

 

ଝିଁଝଟ- କୀର୍ତ୍ତନ

ବିଭୁ ପ୍ରେମସିନ୍ଧୁନୀରେ ଶୁଭବିଧାନର ତରୀ

ଭାସଇରେ ମହାନନ୍ଦେ ମହାପୁଣ୍ୟ ତେଜ ଧରି ।

ଛଡ଼ାଇ ଏହି ଧରଣୀ       ଚଢ଼ାଇଣ ସେ ତରଣୀ

ଘେନି ଯାଉଛନ୍ତି ପ୍ରଭୁ ବିଶ୍ୱକର୍ଣ୍ଣଧାର ହରି ।

 

ଦୂରନ୍ତ ନିଷାଦ କାଳ            ବିସ୍ତାରିଲା ଘୋର ଜାଲ

କିନ୍ତୁ ରେ ପରାସ୍ତ ହେଲା ଆତ୍ମା ନ ପାରିଲା ଧରି ।

ଘୋର କାଳ କବଳରୁ      ଉଦ୍ଧାରନ୍ତି ଜଗଦ୍‌ଗୁରୁ

ଦେଖେ ଦେଖେ କୃପାବଳେ କେତେ ଆତ୍ମା ହେଲେ ପାରି ।୨୮।

 

ଝିଁଝିଁଟ- ଏକତାଲା

ମିଳିବା ସକଳେ ଆନନ୍ଦ ମନେ

ସେହି ଉଜ୍ଜ୍ୱଳ ଭୁବନେ ।ଧ୍ରୁ।

 

ସକଳ ଭଗିନୀ, ସକଳ ଭ୍ରାତା,

ପ୍ରେମଲୋକେ ଆଜି କରୁଛୁ ଯାତ୍ରା,

ନିତ୍ୟ ମଙ୍ଗଳ ସଦନେ ।

 

ମାତିବା ଯହିଁ ମଙ୍ଗଳ ଗାନେ

ନବୀନ-ଜୀବନ-ମୋହନ ତାନେ

ଅନନ୍ତ-ଅମୃତ ଯୌବନେ ।

 

ଫୁଟିବ ମାନସ-କୁସୁମ-କଳି,

ଆଲୋକେ, ପୁଲକେ ଝଲକେ ଝଳି,

ସେହି ଆନନ୍ଦ ନନ୍ଦନେ ।୨୯।

 

ରାଗିଣୀ ଜୟଜୟନ୍ତୀ

ତାଳ -ଯତ୍ନ

ମୋହନ ରୂପ-ସାଗରେ ବୁଡ଼ ରେ ମନ,

ନ ଥିବ ସଂସାର-ତାପ, ହେବ ପାପ ମୋଚନ ।

ସେହି ଜଗତଜୀବନ, ତାଙ୍କ ବିନା ନାହିଁ ଅନ୍ୟ,

ତାରଣ କାରଣ ସେହି ବିପଦ-ବିନାଶନ ।

 

ସେହି ସତ୍ୟ ସେହି ନିତ୍ୟ, ସେହି ଆଦି ସେହି ଅନ୍ତ,

ସେହି ତ୍ରିଭୁବନ ବ୍ୟାପ୍ତ, ଭକ୍ତପ୍ରାଣଧନ ।

ଅପାର ଅଗମ୍ୟ ସେହି, ଇଚ୍ଛାରେ ସୃଜିଲେ ମହୀ,

ପ୍ରେମ ଦଣ୍ଡ କରେ ନେଇ କରୁଛନ୍ତି ପାଳନ ।୩୦।

 

ରାଗିଣୀ - କାଫି

ତାଳ- ପହପଟ

ଭଜ ଶ୍ରୀହରି; ଯେବେ ଯିବୁ ଭବସିନ୍ଧୁ ଉତ୍ତରି ।

ବୃଥା ଅସତ୍ୟ- ଆଶାରେ            ପଡ଼ୁ ନିରାଶରେ,

ସଂସାରେ ସୁଖ-ଆଶା ଧରି ।

 

ମରୀଚିକା ଭ୍ରମ,            କରୁଛି ବିଭ୍ରମ,

କୁକର୍ମ ଅକର୍ମକୁ ଆବୋରି;

ମାୟାଜାଲେ ପଡ଼ି            ଛାଡ଼ୁ ମହାରଡ଼ି,

ଘଡ଼ିକେ ପ୍ରଳୟ ପାସୋରି ।

 

ଧନ ମାନ ଜନ            ସର୍ବ ଅକାରଣ,

କାରଣ ନୋହିବ ତୋହରି;

[ସେହି] ଅନାଦିକାରଣ,            ଜଗତତାରଣ,

ନିତ୍ୟେ ପୂଜ ଯିବୁ ନିସ୍ତରି ।୩୧।

 

ରାଗିଣୀ- ସିନ୍ଧୁ

ତାଳ- ପଡ଼ି

ଆରେ ଭୋଳା ମନ,

ପଡ଼ି ମାୟାଜାଲେ ହେଲୁ ଅଚେତନ ।

ପଞ୍ଚଠାବୁଁ ପଞ୍ଚଭୂତ ଠୁଳ କରି, ଯତନେ ଗଢ଼ିଛି ଏ ପଞ୍ଜରୀ,

ପଞ୍ଚ ଜ୍ଞାନଦ୍ୱାର ପଞ୍ଚ କର୍ମଦ୍ୱାର, ତିନି ପବନରେ ସଚେତନ ।

 

ପଞ୍ଚେ ପଞ୍ଚ ଯେବେ ମିଶିଯିବ, ଆତ୍ମା-ବିହଙ୍ଗମ ନ ଫେରିବ,

ପରମ ଆକାଶେ ପରବ୍ରହ୍ମ ଆଶେ କରୁଥିବ ସଦା ବିଚରଣ ।

କହେ ଦୀନ ଦାସ ଏ ବିନୟ ଘେନ, ଅନ୍ତ ଭାବି ହୁଅ ସାବଧାନ

ଏ ପଞ୍ଜରୀ ଦେହେ ଜୀବ ଥିବାଯାଏଁ ବ୍ରହ୍ମପାଦପଦ୍ମେ ରଖ ମନ ।୩୨।

 

ରାଗିଣୀ - କଲ୍ୟାଣ

ତାଳ – ଯତ୍‌

ଅବୋଧ ମନ, ତୁ କି ଜାଣୁ ନାହିଁ ରେ ।

ଜାଣୁ ନାହିଁ ତୁ କି ଜାଣୁ ନାହିଁ ରେ ।

ଯେ ଦେହେ କରୁ ଯତନ,            ଦିନେ ନେବଟି ଶମନ,

ନ ଯିବ ଏ ଧନ ଜନ ସଙ୍ଗେ କେହି ରେ ।

 

ଏକ ଏକ ଜନ କରି            ଗଲେ ତୋ ସଙ୍ଗୁ ବାହାରି,

ଦିନେ ସମସ୍ତଙ୍କୁ ଛାଡ଼ି ଯିବୁ ତୁହି ରେ ।

ଅତଏବ ଆରେ ମନ,            ଥାଉଁ ଥାଉଁ ଏ ଜୀବନ,

କର ଶ୍ରୀହରି ଭଜନ [ତୋର] ସଙ୍ଗୀ ସେହି ରେ ।୩୩।

 

ପୂରବୀ - ଏକତାଲା

ଦିନ ଯାଉଅଛି ବୋହି ।

ବେଳହୁଁ ଚିନ୍ତ ନିରତ ତୈଲୋକ୍ୟଗୋସାଇଁ ।

କୁଟିଳତା ମିଥ୍ୟା ଅହଙ୍କାର କର ଦୂର,

ଅନିତ୍ୟ ଶରୀର ଦମ୍ଭେ ନିର୍ଭର ନ କର ।

 

ମର୍ତ୍ତ୍ୟେ ମାନବ ମଣ୍ଡଳେ ଜାତ ହୋଇ କେହି,

ଚିରଜୀବୀ ହେବା ଟାଣ କରି ନ ପାରଇ ।

ନିତି ଯିବା ଆସିବା ଲାଗିଛି ଜଗତରେ,

ନିଗୂଢ଼ ଈଶ୍ୱର ତତ୍ତ୍ୱ କିଏ ଜାଣି ପାରେ ।

 

ଆଜି ଯାହାଙ୍କ ପ୍ରତାପେ ପୃଥ୍ୱୀ କମ୍ପମାନ,

କାଲି ତାଙ୍କୁ ଦେଖିବାର ହେଉଛି ସ୍ୱପନ ।

ସୁହାସ ସୁବାସ ଭଙ୍ଗୀ ଚାହାଣୀ ଛଟକ,

ଦେଖୁ ଦେଖୁ ନିମିଷକେ ହୋଇବ ଅଟକ ।

 

ଧନୀ ମାନୀ ଜ୍ଞାନୀ ବୁଦ୍ଧିହୀନ ବିତ୍ତହୀନ,

ପ୍ରାଣାନ୍ତେ ସବୁରି ଦଶା ହୋଇବ ସମାନ ।

ପଲଙ୍କ ସୁପାତି ମନୋହର ବେଶ ଛାଡ଼ି,

ଧରାପରେ ମୃତପିଣ୍ଡ ହେବ ଗଡ଼ାଗଡ଼ି ।

 

ଅତୁଳ ସମ୍ପଦ ମାନ ସମ୍ଭ୍ରମ ଅଗାର,

ସବୁ ଦୂର ହେବ କିଛି ନ ଯିବ ସଙ୍ଗର ।

କେମନ୍ତେ ଆସଇ ପ୍ରାଣ କେଣେ ଯାଏ ଛାଡ଼ି,

ଆଶ୍ଚର୍ଯ୍ୟ ପ୍ରଭୁ ନିୟମ କେ ପାରିବ ବିଡ଼ି ।

 

ପ୍ରକାଣ୍ଡ ଜଗତେ ହୋଇ ଏକ ଅଧିପତି

ଲାଳନ ପାଳନ ଜୀବଗଣେ କରୁଛନ୍ତି ।

ସର୍ବବ୍ୟାପୀ ଗୁପ୍ତ ହୋଇ ସବୁ ଦେଖୁଛନ୍ତି,

ଅନ୍ତର୍ଯ୍ୟାମୀ ମନ କଥା ସହଜେ ଜାଣନ୍ତି ।

 

ଯେ ଯେମନ୍ତ ଭାବେ ତାଙ୍କୁ ହୃଦରେ ଭାବଇ,

ଅବହେଳେ ତେମନ୍ତ ସୁଫଳ ସେ ଲଭଇ ।

ତାଙ୍କ ପାଦପଦ୍ମେ ସଦା ଯାର ଥାଇ ଲୟ,

ତାହାର କି କରି ପାରେ ଛାର ଭବଭୟ ।

 

ଯତ୍ନ କର ସେ ପୟର ଯେରୂପେ ପାଇବ,

ମାୟା ମୋହ ପାପ ତାପ ଛାଡ଼ି ପଳାଇବ ।୩୪।

 

ଭୈରୋଁ - ଏକତାଲା

ପାହିଲା ରଜନୀ,            ଉଠ ଭାଇ ଭଗ୍ନି,

ଦେଖ ନୟନ ବିସ୍ଫାରି ।

ପ୍ରେମ - ନୟନରେ            ଦୁଃଖି ତାରିବାରେ,

ଚାହିଁଛନ୍ତି ପ୍ରଭୁ ହରି, ହେ ଭାଇ !

ଦେଖ ନୟନ ଫିଟାଇ ।

 

ଦେଖ ପକ୍ଷିଗଣ            ମୋହିଣ ଭୁବନ

ଗାଉଛନ୍ତି ତାଙ୍କ ନାମ,

ରେ ଆତ୍ମା ବିହଙ୍ଗ,            କର ବିଭୁ ସଙ୍ଗ,

ହେବୁ ତୁହି ସିଦ୍ଧକାମ, ରେ ଚିତ୍ତ !

କାହିଁକି ନ ଲୋଡ଼ୁ ହିତ ।

 

ତାଙ୍କ ପଦେ ମନ            କରିଣ ଯତନ

ଦିଅ ତୁ ଲଗାଇ ବାରେ,

ଶୀଘ୍ର ଦୁଃଖ ଯିବ,            ଆନନ୍ଦ ହୋଇବ,

ଧ୍ୟାୟ ଶ୍ରୀପଦ ହୃଦରେ, ରେ ମନ;

ଦେଖ ଗଲାଟି ଜୀବନ ।

 

ଏ ଭବସାଗରେ            ବିଘ୍ନ ସଂକଟରେ

ଭରସା ଭକ୍ତବତ୍ସଳ,

ତାଙ୍କୁ ଆଜି ସର୍ବେ            ଡାକ ଭକ୍ତିଭାବେ,

ହେବ ଜୀବନ ସଫଳ, ହେ ଭାଇ !

ଭବେ ଆଉ କେହି ସାହା ନାହିଁ ।୩୫।

 

ସାହାନା - ଯତ୍‌

କାହିଁକି ଭାବନା ଭୟ            କରିବି ରେ ଆଉ,

ରେ ସଂସାର କି ସଂକଟ      କି ଭୟ ଦେଖାଉ ।

ଅଭୟ ଅମୃତ ପଦ            ପ୍ରାଣର ଇଷ୍ଟ ସମ୍ପଦ

ଲଭିଛି ପରମାଶ୍ରୟ            ଯା ହେବାର ହେଉ ।

 

ଅସତ୍ୟ ଅନ୍ଧାର ନାଶି            ସତ୍ୟ ଜ୍ୟୋତି ପରକାଶି

କହିଲେଣି ମୋ ପ୍ରାଣେଶ      କଳୁଷ ପଳାଉ ।

ମୋ ପ୍ରଭୁ ପଦ ପରଶେ      ମରଣ ମଲାଣି ହର୍ଷେ

ଲୁଚିଲେଣି ଲାଜ ଭୟ            ତୁ କି ଜାଣି ନାହୁଁ ।

 

ମୋତେ ପ୍ରଭୁ ଦୟାମୟ      ଅନନ୍ତ ଶକ୍ତି-ଆଳୟ

ଧରିଛନ୍ତି ବିସ୍ତାରିଣ            ଆହା ପ୍ରେମ-ବାହୁ ।

ତାଙ୍କ ସତ୍ୟ ହୃଦେ ଧରି      ତାଙ୍କ ପ୍ରେମେ ଅନୁସରି

ବିସର୍ଜିବି ଏ ପରାଣ            ଯା ଥିବାର ଥାଉ ।୩୬।

 

ଭୈରବ - ଠୁମରି

ଜୟ କରୁଣାମୟ            ମଙ୍ଗଳଆଳୟ

ଆନନ୍ଦକଲ୍ୟାଣଦାତା ହେ;

ପରମ ଶୋଭନ            ଚିତ୍ତ ପ୍ରଲୋଭନ

ମଙ୍ଗଳ ପ୍ରେମ ବିଧାତା ହେ ।

 

ନିଖିଳ ଈଶ୍ୱର            ତୁମ୍ଭେ ପରାତ୍ପର

ଦୀନସଖା ବିଶ୍ୱପାତା ହେ,

ପତିତପାବନ            ଅଧମତାରଣ

ଏକ ମାତ୍ର ପିତାମାତା ହେ ।

 

ବିପଦବାରଣ            ସମ୍ପଦକାରଣ

ଭୟଭଞ୍ଜନ ଦୀନତ୍ରାତା ହେ;

ଭବ-ସିନ୍ଧୁ-ତରୀ            ଚରଣ ତୁମ୍ଭରି

କିବା ସୁଧାମୟ ବାର୍ତ୍ତା ହେ ।୩୭।

 

ମୂଲତାନ - ଏକତାଲା

ଜୟ ଅମୃତମୟ            ଜୟ ବିଶ୍ୱ ଆଶ୍ରୟ

ଜୟ ଜୟ ଦୀନହୀନତାରଣ,

ଜୟ ପରମେଶ୍ୱର            ଜୟ ଶିବ ସୁନ୍ଦର

ଜୟ ଜୟ ମଙ୍ଗଳର କାରଣ ।

 

ତୁମ୍ଭର ପୟର            ବନ୍ଦେ ଚରାଚର

କୋଟି ସୂର୍ଯ୍ୟ ଚନ୍ଦ୍ର ଭୁବନ,

ମହାପୁଲକରେ            ନମନ୍ତି ପୟରେ

କୋଟି କୋଟି ଭକ୍ତଜୀବନ ।

 

ଜାଗ୍ରତ ବିଧାତା            ବିଶ୍ୱ ପିତା ମାତା

ପ୍ରାଣସ୍ୱାମୀ ଭବକାରଣ,

ମାଗଇ ଅଭୟ            ପ୍ରଭୁ ଦୟାମୟ

କ୍ଳେଶକଳୁଷନାଶନ ।୩୮।

 

ହଂସ ସାରଙ୍ଗ - ଚୌତାଳ

ବନ୍ଦଇ ଶ୍ରୀପଦ            ବିଶ୍ୱ ଭୁବନ

ଜୟ ଦୟାମୟ            ବିଶ୍ୱଶରଣ,

ରବି ଚନ୍ଦ୍ର ତାରା ପୂର୍ଣ୍ଣ ଗଗନ

ମଗନ ମହିମାନୀରେ ।

 

ମହିମାର କେତୁ            ହିମାଦ୍ରିରାଜ

ବିଜୟ ଦୁନ୍ଦୁଭି            ମେଘସମାଜ

ଯଶତୁମ୍ଭୁର ସେ ଜଳଧି ନାଦ

ତୁମ୍ଭରି ଏ ଧରଣୀରେ ।

 

ପତ୍ର ପୁଷ୍ପ ଫଳେ            ତରୁନିକରେ

ପୂଜନ୍ତି ସେ ପଦ            ଆନନ୍ଦଭରେ,

କୋଟି କୋଟି ଜୀବ ନମି ପୟରେ

ସେବନ୍ତି ପ୍ରେମ ସମୀରେ ।

 

କୋଟି କୋଟି ଭକ୍ତ            ହୃଦୟଧାମେ

ଉଛୁଳଇ ପ୍ରେମ            ତୁମ୍ଭରି ନାମେ

ବିଶ୍ୱ ତବ ନାମ ପବିତ୍ର ଗାନେ

ରତ ଦିବା ରଜନୀରେ ।୩୯।

 

ଆଶା - ଠୁମ୍‌ରି

ପବିତ୍ର ଆନନ୍ଦେ            ଆଜି ପାପୀ ବନ୍ଦେ

ହେ ପ୍ରଭୁ ତବ ପଦତଳେ;

ପାପେ ତାପେ ଶୋକେ            ତବ ପ୍ରମାଲୋକେ

ନିରେଖି ହୃଦୟ-କମଳେ ।

 

ଚୌଦିଗେ ସଂସାରେ            ଦେଖି ଅନ୍ଧକାରେ

ତ୍ରାସେ ମୁଁ କାନ୍ଦିଲି ବିକଳେ;

ତେଣୁ କି ତୁମ୍ଭର            ଜ୍ୟୋତି ମଙ୍ଗଳର

ଆଜି ହେ ଏ ପ୍ରାଣ ଉଜଳେ ।

 

ଦୁଃଖ ତାପେ ପାପୀ      ଏତେ କାଳ ଯାପି

ଆଶ୍ରୟ ଚରଣ କମଳେ

ଲଭିଲା କି ନାଥ,            କାତରେ ଅନାଥ

ପୁଛଇ ଭାସି ଅଶ୍ରୁଜଳେ ।

 

ଶ୍ରୀମୁଖର ଭାଷା            ଶୁଣି କେତେ ଆଶା

ଉପୁଜେ ଦୁଃଖୀ ମର୍ମସ୍ଥଳେ,

ମୃତ ଜନେ ପ୍ରାଣ            କରିବ ହେ ଦାନ

ଅଦ୍ଭୁତ କରୁଣା କୌଶଳେ ।୪୦।

 

ମିଶ୍ର-ଖାମ୍ୱାଜ - ଏକତାଲା

ପାପ ଗରଳଖଣ୍ଡନ ପ୍ରଭୁ ପାପ ଗରଳଖଣ୍ଡନ ହେ ।

ତାପିତହୃଦୟଚନ୍ଦନ ପ୍ରଭୁ ତାପିତହୃଦଚନ୍ଦନ ହେ ।

ଭାବନା-ଭୟବାରଣ ପ୍ରଭୁ ଭାବନା-ଭୟବାରଣ ହେ ।

ଦୁଃଖୀ-ଅଧମତାରଣ ପ୍ରଭୁ ଦୁଃଖୀ-ଅଧମତାରଣ ହେ ।

 

ସର୍ବ ବିପଦଭଞ୍ଜନ ପ୍ରଭୁ ସର୍ବ ବିପଦଭଞ୍ଜନ ହେ ।

ଅନ୍ଧ ନୟନ ଅଞ୍ଜନ ପ୍ରଭୁ ଅନ୍ଧ ନୟନ ଅଞ୍ଜନ ହେ ।

ମୋହ-ତିମିରନାଶନ ପ୍ରଭୁ ମୋହ ତିମିରନାଶନ ହେ ।

ସତ୍ୟ ଜ୍ୟୋତିପ୍ରକାଶନ ପ୍ରଭୁ ସତ୍ୟ ଜ୍ୟୋତିପ୍ରକାଶନ ହେ ।

 

ପ୍ରେମମୟ ନିରଞ୍ଜନ ପ୍ରଭୁ ଭକ୍ତହୃଦୟରଞ୍ଜନ ହେ ।

ମାଗଇ ପଦ ବ୍ୟାକୁଳେ ପ୍ରଭୁ ଏ ଅଧମ ଅକିଞ୍ଚନ ହେ ।

ସେ ପଦ ସର୍ବ ସମ୍ପଦ ପ୍ରଭୁ ଦୁଃଖିର ମଣି କାଞ୍ଚନ ହେ ।୪୧।

 

ବିଭାସ - ଝାମ୍ପତାଳ

ଧନ୍ୟ ଧନ୍ୟ ମହାପ୍ରଭୁ ଧନ୍ୟ ମହିମା ତୁମ୍ଭର

ସେ ମହିମା ପଦତଳେ ପ୍ରଣତ ଏ ଚରାଚର ।

କେତେ ଭାନୁ ଚନ୍ଦ୍ର ତାରା ଢାଳି ଶୁଭ୍ର ଜ୍ୟୋତିଧାରା

କରନ୍ତି ଆରତି ପଦେ ବେଢି ତବ ଶ୍ରୀପୟର ।

 

ମହିମା ସଙ୍ଗୀତ ତବ ନିରନ୍ତର ନବ ନବ

ଗାଉଛି କୋଟି ଭୁବନ ପରବ୍ରହ୍ମ ପରାତ୍ପର ।

ଋଷି ଭକ୍ତ ଦେବଦଳ ନେତ୍ରେ ପ୍ରେମ-ଅଶ୍ରୁଜଳ

ଚାହିଁ ରହିଛନ୍ତି ପଦେ କିବା ଛବି ମନୋହର ।

 

ସେ ମହା ମହିମା ଧ୍ୟାନେ ଗାଏ ବିଶ୍ୱ ଏକତାନେ

ଜୟ ଜୟ ଜଗଦୀଶ ଏ ଘୋଷଣା ନିରନ୍ତର ।୪୨।

 

ବାହାର - ଏକତାଲା

ଦେଖିଲେ ତୁମ୍ଭରି ଲୀଳା            ସଖା ହେ ଏହି ଜୀବନେ

ଦ୍ରବଇ ପାଷାଣ ପ୍ରାଣ            ଅଶ୍ରୁ ଗଳଇ ଲୋଚନେ ।

ରୋଗ ଶୋକ ତାପେ            ପ୍ରଲୋଭନ ପାପେ

 

ଏ ପ୍ରାଣେ ରହି ଗୋପନେ

ଦେଖିଛ ଦଗଧ            ହୃଦୟ ବେଦନା

ଶୁଣୁଛ ଦୁଃଖି କ୍ରନ୍ଦନ;

ଶୀତଳ କରୁଛି ପ୍ରାଣ ତାର      ଅମୃତ ଶାନ୍ତି ସିଞ୍ଚନେ ।

 

ନ୍ୟାୟ ଦଣ୍ଡ ଧରି            ବସିଅଛ ହରି

ତୁମ୍ଭରି ଧର୍ମ-ଆସନେ;

କରୁଛ ପ୍ରହାର            ଲଭୁଛି ଉଦ୍ଧାର

ଅପରାଧୀ ତବ ଶାସନେ;

ଧନ୍ୟ ମୋର ମନ ପ୍ରାଣ      ତୁମ୍ଭରି ଲୀଳା ଦର୍ଶନେ ।୪୩।

 

ଝିଁଝିଟ - ଝାମ୍ପତାଳ

ଜୟ ମା ଆନନ୍ଦମୟୀ ବିଶ୍ୱତାରିଣୀ

ଦୁଃଖଭୟନାଶିନୀ ସୁଖ-ଶାନ୍ତିଦାୟିନୀ ।

କୋଟି ବିଶ୍ୱପ୍ରସବିନୀ,            ପାପାସୁରବିମର୍ଦିନୀ

ଭକ୍ତ-ପ୍ରାଣନିବାସିନୀ ଭକ୍ତଜନନୀ ।

 

ମା ଗୋ ତୋ ନୟନ ଦୃଷ୍ଟ            କରଇ ଅମୃତ ବୃଷ୍ଟି

ଭାସଇ ଆନନ୍ଦେ ସୃଷ୍ଟି ଦିବା ରଜନୀ ।

ସେ ପ୍ରେମବକ୍ଷର ସୁଧା            ହରଇ ଭୁବନକ୍ଷୁଧା

ସେ ପୁଣ୍ୟ ଚରଣ ଏକା ପରଶମଣି ।୪୪।

 

ଭୂପାଳୀ - ଏକତାଲା

ତବ ଆନନ୍ଦ ମଞ୍ଜୁଳ ଜାଗେ

ମୋର ପ୍ରଫୁଲ୍ଲ ଆଖି ଆଗେ ।

ଫୁଲ୍ଲ ପ୍ରସୂନ ଶୋଭାରେ

ପୂର୍ଣ୍ଣଚନ୍ଦ୍ର ବିଭାରେ

ତବ ପୁଣ୍ୟ ପରଶ ଲାଗେ ।

 

ନୃତ୍ୟ କରେ ମୋ’ ସର୍ବ ହୃଦୟ

ଦୀପ୍ତ ଅନୁରାଗେ ।

ପ୍ରାଣେ ତବ ହେ ପରମ ଶାନ୍ତି

ଅଙ୍ଗେ ତବ ହେ ପୁଲକ କାନ୍ତି

ବିଶ୍ୱ-ଭୁବନ ହର୍ଷେ ଉଚ୍ଛୁଳେ

ନିତ୍ୟ ନୂତନ ରାଗେ ।୪୫।

 

ଇମନ୍‌ କଲ୍ୟାଣ - ତେଓରା

ହୃଦୟ ମନ୍ଦିରେ ଚିର ସୁନ୍ଦର ରାଜ ଚିର ରାଜ ହେ

ପରାଣଛନ୍ଦେ ଗାଅ ଆନନ୍ଦେ ମାନସ-ମୂରଜେ ବାଜ ହେ ।ଧ୍ରୁ।

ନୀଳ ପୟୋଧି ଲୋଳ କଲ୍ଲୋଳେ,

ମନ୍ଦ ମାରୁତ ଗନ୍ଧ-ହିଲ୍ଲୋଳେ,

 

ପିକ ପଞ୍ଚମେ, ଅଳି ଗୁଞ୍ଜନେ,

ବୀଣା ବଂଶୀରେ ବାଜ ହେ ।

ନୈଶ ଆମ୍ଭର ତାରକା ଶଶୀ

ପ୍ରଫୁଲ୍ଲ ପୁଷ୍ପ ସୁଷମାରାଶି

 

ଶତ ନିର୍ଝର ଗିରି ପ୍ରାନ୍ତର

ଶୋଭା ବିଭାରେ ରାଜ ହେ ।

ତବ ମଙ୍ଗଳ ପୁଣ୍ୟ ସ୍ପର୍ଶେ

ଜାଗୁ ଅନ୍ତର ଅମଳ ହର୍ଷେ,

ହଜୁ ସନ୍ତାପ ଦୁଃଖ ଦୈନ୍ୟ

ତୀବ୍ର ଯାତନା ଲାଜ ହେ । ୪୬।

 

ଝିଝିଁଟ - ଯତ୍

ଦେଖାଇଲ କି ହେ ହରି ତୁମ୍ଭ ପ୍ରେମ ପୁଣ୍ୟ ଜ୍ୟୋତି,

ସାର୍ଥକ ହେଲା କି ପ୍ରାଣ ଦେଖି ଅରୂପ ମୂରତି ।

ସ୍ୱପ୍ରକାଶ ଦୟାମୟ ଫିଟାଇ ଏହି ହୃଦୟ,

ଦେଖାଇଲ ତହିଁ କେତେ କୁଟିଳ ପାପବସତି ।

 

ହେ ପ୍ରଭୁ ସତ୍ୟନିଧାନ ଭାଙ୍ଗି ମୋହର ଗୁମାନ,

ଦେଖାଇଳ କି କୁତ୍ସିତ କଳଙ୍କିତ ଏହି ମତି ।

ଅନୁତପ୍ତ କରି ପ୍ରାଣ ଡାକୁଅଛ ଭଗବାନ,

ସକଳ ସନ୍ତାପହର ତବ ଶ୍ରୀଚରଣ ପ୍ରତି ।

 

କର କର ଆଶୀର୍ବାଦ ବିନାଶ ମୋହ ପ୍ରମାଦ,

କଳଙ୍କ-ଭଞ୍ଜନ ତୁମ୍ଭେ ଅଗତି ଜନର ଗତି ।୪୭।

 

ମୂଲତାନ - ଯତ୍

ହେ ବିଶ୍ୱନନ୍ଦନ ବାରେ ତୁମ୍ଭର ପ୍ରକାଶେ

ଫୁଟାଅ ଏ ପ୍ରାଣ-ପଦ୍ମ ଅପୂର୍ବ ବିକାଶେ ।

 

ସେ ଅପୂର୍ବ ଦରଶନେ      ପୁଲକପୂରିତ ମନେ

ଆନନ୍ଦ ସଙ୍ଗୀତ ସ୍ଫୁରୁ ଅମୃତ ଉଚ୍ଛ୍ୱାସେ ।

ସେ ଗୀତ ଉନ୍ମାଦ ସ୍ରୋତେ            ନଚାଇ ନଚାଇ ମୋତେ

ଘେନି ଯାଅ ଯଥା ଇଚ୍ଛା ନାଶି ପାଶ ତ୍ରାସେ । ୪୮।

 

ଭୈରବ - ଏକତାଳୀ

କୋଟି ଜଗତର            ରାଜରାଜେଶ୍ୱର

ବିରାଜ ହୃଦୟ-ଗଗନେ ।

ପ୍ରଭୋ ନିରଞ୍ଜନ,            ଡ଼ାକେ ଦୀନଜନ

ଅବନତ ତବ ଚରଣେ ।

 

ଚିର ସଖା ମୋର ଅନ୍ତରତମ

କେ ଅଛି ସଂସାରେ ତୁମ୍ଭରି ସମ

ଚିର ପିତା ମାତା ସହାୟ ମମ

ଚିର ସଙ୍ଗୀ ମମ ଜୀବନେ ।

 

ଭୁବନବରେଣ୍ୟ ଭୟଭଞ୍ଜନ

ସର୍ବ ଶୁଭଦାତା ଶାନ୍ତି-ସଦନ

ଦୂରିତ-ତିମିର-ହର ଶରଣ

ଅଛ ସଖା ପ୍ରାଣେ ଗୋପନେ ।

 

ଦଗଧ ହୃଦୟ ଶାନ୍ତ-ଚନ୍ଦନ

ଆନନ୍ଦ-ଆଳୟ ପ୍ରାଣ ନନ୍ଦନ

ନିଖିଳ ଜଗତେ ଅମୃତ-ଧନ

ବିତରୁଛ ପ୍ରଭୋ ଗୋପନେ ।୪୯।

 

ମୂଲତାନ - ଆଡ଼ାଠେକା

ଆଶା କରି ଆସିଅଛି ମହାପ୍ରଭୁ ତୁମ୍ଭ ଦ୍ୱାରେ

ଏକମାତ୍ର ଆଶ୍ରା ତୁମ୍ଭେ ଭୟାବହ ଏ ସଂସାରେ ।

ପାପର କୁହକେ ମଜ୍ଜି ତୁମ୍ଭ ଶ୍ରୀଚରଣ ତେଜି

ଭ୍ରମିଛି ହେ କେତେକାଳ ମାତି ଅନିତ୍ୟ ସଂସାରେ ।

 

ଦଗ୍‌ଧ ହୋଇ ପାପାନଳେ ବୁଡ଼ିଛି ନୈରାଶ୍ୟ-ଜଳେ

କାଟିଅଛି ଦିନ ପ୍ରଭୁ ଦୁଃଖମୟ ହାହାକାରେ ।

ଟାଣିଅଛ ତୁମ୍ଭେ ପୁଣ ଧନ୍ୟ ତବ କୃପାଗୁଣ

ଶ୍ରୀପଦ ଆଡ଼କୁ ପ୍ରଭୁ ନୂତନ ଆଶା-ସଞ୍ଚାରେ ।

 

ପୁଣି ହେ କେମନ୍ତେ ହରି ତୁମ୍ଭ ପଦ ପରିହରି

ପଡ଼ିଅଛି ଦୂର୍ବିପାକେ ବିଷମ ପାପ ବିକାରେ ।

ଏହିପରି କେତେ ଦିନ କାଟିବ ଏ ଦୀନ ହୀନ

ଚିରଦିନପାଇଁ ଏବେ ଉଦ୍ଧାର କୃପାରେ ।

 

ଶ୍ରୀପଦେ ରଖ ମୋ ମତି ହେ ହରି ବ୍ରହ୍ମାଣ୍ଡପତି

ଉଦ୍ଧାର ଅଧମ ଜନେ ନାଶି ମୋହ ଅନ୍ଧକାରେ ।

ଏ ଜୀବନ ଏ ଭବନ ପାଦେ କଲି ସମର୍ପଣ

ସୁମତି ଦିଅ ହେ ନାଥ ଏହି ଦୀନ ପରିବାରେ ।୫୦।

 

ପଞ୍ଚମ ବିରାଡ଼ୀ - ତ୍ରିପଟା

ଧନ୍ୟ ହେ ମଙ୍ଗଳମୟ,            ନିଖିଳ ଭୁବନାଶ୍ରୟ,

ଭକତର ବାଞ୍ଛାକଳ୍ପତରୁ ।

ପ୍ରେମାନନ୍ଦ ସୁଧାଝର            ଝରୁଅଛି ନିରନ୍ତର

ତୁମ୍ଭ ଶ୍ରୀଚରଣ-କମଳରୁ ହେ ମହାପ୍ରଭୁ ।

 

ଅନାଥଶରଣ ପିତା ମାତା

ଅଗତି ଜନର ପରିତ୍ରାତା

ସଂସାର ଜଳଧି ସେତୁ            ପୁଣ୍ୟ ଶାନ୍ତି ମୁକ୍ତି ହେତୁ

ଏକା ତୁମ୍ଭେ ସର୍ବସୁଖଦାତା ହେ ମହାପ୍ରଭୁ ।

 

ଜାଣିଛି ତୁମ୍ଭେ ମୋହର            ଅଟ ହେ ହୃଦୟେଶ୍ୱର

ଆସ ଆସ ଏ ହୃଦେ ବହନ,

ଚଞ୍ଚଳ ବାସନାଦଳ            ରିପୁବର୍ଗ କୋଳାହଳ

ଏ ହୃଦରୁ କରୁ ପଳାୟନ ହେ ମହାପ୍ରଭୁ ।

 

ସର୍ବ ପାପ-ସନ୍ତାପ-ହରଣ

ଅଟେ ତବ ଅଭୟ ଚରଣ

ଆନନ୍ଦେ ହୃଦ-କୁଟୀରେ            ନୀରବେ ନୟନ ନୀରେ

ଏକାନ୍ତେ ପୂଜିବି ଅନ୍ୱକ୍ଷଣ ହେ ମହାପ୍ରଭୁ ।

 

ପଦତଳେ ବସିବାର      କେଡ଼େ ବଡ଼ ଅଧିକାର

ଦେଇଛ ଏ ଦୀନ ହୀନ କୀଟେ,

ନିମେଷେ ବସନ୍ତେ ତହିଁ            ଭୂଷିତଂ ଦିଶଇ ମୁହିଁ

ଜ୍ୟୋତିର୍ମୟ ଅମର-କିରୀଟେ ହେ ମହାପ୍ରଭୁ ।

 

ଫୁଟଇ ମୋ ମନ-ଶତଦଳ

ପୂରେ ପ୍ରାଣ ପୁଣ୍ୟ-ପରିମଳ

ଅନାଇଲେ ତୁମ୍ଭ ମୁଖ            ହୁଏ ହୃଦ ସ୍ୱର୍ଗସୁଖେ

ବିସ୍ଫାରିତ ପ୍ରସନ୍ନ ବିମଳ ହେ ମହାପ୍ରଭୁ ।୫୧।

 

କାମୋଦୀ - ଆଠତାଳୀ

ପ୍ରାର୍ଥନା ପ୍ରଭୁ ଚରଣେ ତବ,

ଲାଗି ଥାଉ ପ୍ରାଣେ ତୁମ୍ଭ ଉତ୍ସବ ।

ବସାଇ ଅଭୟ ଚରଣ-ପୋତେ

ଭସାଅ ହେ ତୁମ୍ଭ ଆନନ୍ଦ-ସ୍ରୋତେ ।

 

ବିଶ୍ୱଜୟୀ ତୁମ୍ଭ ଜୟ-ନିଶାଣ

ଦରଶନେ ମୁଗ୍ଧ ହେଉ ମୋ ପ୍ରାଣ ।

ଅନନ୍ତ ଗୌରବ ମହିବା ତବ

ଘୋଷୁ ପ୍ରାଣ ନିତ୍ୟ ଦୀନବାନ୍ଧବ

ଅମୃତ-ଉତ୍ସବ-ବିଧାନକାରି,

ଢାଳ ହୃଦେ ପୁଣ୍ୟ ଅମୃତ-ବାରି ।୫୨।

 

କୀର୍ତ୍ତନ - ଏକତାଲା

ଦଶ ଦିଗ ପୂର୍ଣ୍ଣ କରି            ମହା ଆବିର୍ଭାବେ ହରି

ବିରାଜିଛି ନିଜ ମହିମାରେ,

ସେ ଗମ୍ଭୀର ଆବିର୍ଭାବେ            ବୁଡ଼ିବି ଗମ୍ଭୀର ଭାବେ

ଜଳେ ମୀନ ଯେମନ୍ତ ପ୍ରକାରେ ।

 

ଜଡ଼ତା-ଅନ୍ଧାର ନାଶି            ଜ୍ଞାନ-ଜ୍ୟୋତି ପରକାଶି

ଶୁଦ୍ଧ ସତ୍ତ୍ୱ ପ୍ରେମର ସଞ୍ଚାରେ,

ଏ ପାଷାଣ୍ଡ ଜନେ ହରି,            ପ୍ରେମିକ ଭକତ କରି

ମଗ୍ନ କର ପୁଣ୍ୟ-ପାରାବାରେ ।୫୩।

 

ରାଗିଣୀ - ଖାମ୍ୱାଜ

ତାଳ-ଏକତାଳି

ଜୟ ଦେବ ଜଗତ-ନାଥ, ଜଗତସୃଜନକାରୀ ହୋ ।

(ପ୍ରଭୁ) ନିତ୍ୟ ସତ୍ୟ ଅଦ୍ୱିତୀୟ ଭକ୍ତ-ମନ-ବିହାରୀ ହୋ ।

 

ସର୍ବଭୂତେ ବର୍ତ୍ତମାନ,      କି ଭୂତେ କି ବର୍ତ୍ତମାନ,

ମହାନ୍‌ ଗଭୀର-ଜ୍ଞାନ-ପୂର୍ଣ୍ଣ ଦର୍ପହାରୀ,

ଦୟାର ଆଧାର ନାଥ,      ପ୍ରେମ-ସିନ୍ଧୁ ପରମ ତାତ,

(ପ୍ରଭୁ) ଚିଦାନନ୍ଦମୟ ବିଧାତା, ଦୁଃଖ-ବିପଦହାରୀ ହୋ ।୫୪।

 

ବେହାଗ ଯତ୍‌

ହେ ସୁନ୍ଦର ମନୋହର ପରମେଶ୍ୱର ।

ହୃଦୟ ମନ୍ଦିରେ ମମ

ପାତ ତବ ପ୍ରେମାସନ,

ବିରାଜ ଦିବସ ନିଶି ହେ ପ୍ରେମାକର

 

ତୁମ୍ଭେ ମୋ ପରମ ପଦ

ତୁମ୍ଭେ ମୋ ସର୍ବ ସମ୍ପଦ

ତୁମ୍ଭେ ମୋ ସାଧନ ଧନ ମୁକ୍ତି ମୋହର

ତୁମ୍ଭେ ମୋ ପରମ ଗତି

ତୁମ୍ଭେ ମୋ ଶାନ୍ତି ଶକତି

ହରଷ ବିଶ୍ୱାସ ଆଶା ପ୍ରେମ ସାଗର ।୫୫।

 

ରାଗିଣୀ-ଖାମ୍ବାଜ

ତାଳ-ଏକତାଳୀ

ଧନ୍ୟ ଧନ୍ୟ ପୂର୍ଣ୍ଣ ବ୍ରହ୍ମ, ବିଶ୍ୱ-ଭୁବନ-କାରଣ,

ସତ୍ୟ ଚିଦାନନ୍ଦ ଦେବ, ଦୁଃଖ-ବିପଦ-ବାରଣ ।

ତ୍ୱଂହି ଶିବମଦ୍ୱୈତ, ତ୍ୱଂହି ଅନାଦି ଅନନ୍ତ

ତ୍ୱଂହି ଜ୍ୟୋତିର୍ମୟ ଜୀବନ୍ତ, ନିତ୍ୟ ହେ ପୁରାତନ ।

 

ତ୍ୱଂହି ନାଥ ନିର୍ବିକାର, ନିରାକାର ନିରାଧାର,

ଅପାର କରୁଣାଗାର, ମଧୁର ମୂର୍ତ୍ତମାନ ।

ଭକ୍ତ-ବାଞ୍ଛା-କଳ୍ପତରୁ, ତ୍ୱଂହି ଦେବ ଜଗଦ୍‌ଗୁରୁ

ନିର୍ମଳ ପବିତ୍ର ରୂପ, ପାପ-ତାପ-ନାଶନ ।୫୬।

 

ରାଗିଣୀ-କଲ୍ୟାଣ

ତାଳ-ଯତ୍‌

ହରି ନାମ ରସେ ମନ ବୁଡ଼ିଗଲା ରେ ।

ବୁଡ଼ିଗଲା ଆଜି ରସିଗଲା ରେ ।

ଅପୂର୍ବ ରୂପ ଶ୍ରହରି            ଦେଖିଲି ନୟନ ଭରି,

ହୃଦରୁ ଆନନ୍ଦ-ବାରି            ଉଛୁଳିଲା ରେ ।

 

ପାପିକି ଏତେ କରୁଣା,            ପାଷଣ୍ଡକୁ ନାହିଁ ଘୃଣା,

ଆଗେ ଏକା ଜଣା ଶୁଣା            ନାହିଁ ଥିଲା ରେ ।

ମୁହିଁ ପାପୀ ଅବିଶ୍ୱାସୀ,            ଗୋଡ଼ାଇ ଧଇଲେ ଆସି,

ଏ ପାପ-ହୃଦୟ ଆଜି ଧରାଗଲା ରେ ।୫୭।

 

ରାଗ-ମରୁଆ

ତାଳ-ପଡ଼ି

ଆଜି କି ଶୋଭା କଲି ଦର୍ଶନ ।

କୋଟି ପୂର୍ଣ୍ଣଶଶୀ            ପ୍ରକାଶିତ ଆସି,

ସଫଳ ମୋର ନୟନ ।

 

ଭକ୍ତ ସଙ୍ଗେ ପୁଣି ଭଗବାନ

ବିରାଜିତ ହୃଦ-ସିଂହାସନ,

ଜୟ ଜୟ ଜୟ            ଜୟ ଦୟାମୟ,

ସାର୍ଥକ ହେଲା ଜୀବନ ।୫୮।

 

ରାଗିଣୀ କନଡ଼ା-ତାଳ ଏକତାଳୀ

ହୃଦୟ ସଖା ଆସ ଏଥର ।

ଆସିଛି ନ ଯିବି ଫେରି ଶୂନ୍ୟ ହସ୍ତର ।

 

ଅନେକ ଅମୂଲ୍ୟ ଧନ      କରିବ ହେ ବିତରଣ,

ପାଇ ତୁମ୍ଭ ପ୍ରେମ ଅନ୍ନ      ହୋଇବି ଅମର ।

ତୁମ୍ଭ ନିମନ୍ତ୍ରଣ ପାଇ            ଆସିଅଛି ବେଗେ ଧାଇଁ,

ନୀରୋଳେ ହୃଦେ ବସାଇ      ପୂଜିବି ପୟର ।

 

ଭାଇ ଭଗ୍ନୀ ସଙ୍ଗେ ମିଳି      ଦେଇ ସୁଖେ କରତାଳି,

ଗାଇ ତୁମ୍ଭ ନାମାବଳୀ      ଭୁଲିବି ସଂସାର ।

ଅସାର ମାୟା-ବନ୍ଧନ      ସ୍ୱହସ୍ତେ କରି ଛେଦନ,

ନାମେ ବଞ୍ଚୁଥିବି ଦିନ      ଏ ଆଶା ମୋହର ।୫୯।

 

ସିନ୍ଧୁ ଭୈରବୀ- ପୋସ୍ତ

ଆସକ୍ତି ବାସନା ତେଜି କେବେ ଯିବି ଯୋଗଧାମେ,

ଅନନ୍ତ ଇଚ୍ଛା ଚରଣେ ବିସର୍ଜିବି ସର୍ବ କାମେ ।

ସେ ଇଚ୍ଛା ସଙ୍ଗତେ ଯୁକ୍ତ            ତେଣୁ ମୁଁ ହୋଇବି ମୁକ୍ତ,

ଭୁଞ୍ଜିବି ଆନନ୍ଦ ଶାନ୍ତି ଗାଇ ସେ ପିବତ୍ର ନାମେ

 

ରିପୁ ଦଳର ଦାସତ୍ୱ            ପରିହର ଶୁଦ୍ଧ ସତ୍ତ୍ୱ

ହିରଣ୍ମୟ ହୃଦାସନେ ପୂଜିବି ପ୍ରେମନିଧାନେ ।

ନିରନ୍ତର ଅନୁଗତ            ପାଳିବି ସନ୍ତାନ ବ୍ରତ

ସଶରୀରେ ସ୍ୱର୍ଗବାସ ଲଭିବି ହେ ପରିଣାମେ ।୬୦।

 

ଝିଁଝିଟ-କୀର୍ତ୍ତନ

ସୁଖେ ପ୍ରାଣସଖା ସଙ୍ଗେ ପ୍ରାଣ ରହ ରେ ମୋହର,

କି ମଧୁର ପୁଣ୍ୟାନନ୍ଦ ପ୍ରେମେ ଭୁଞ୍ଜ ନିରନ୍ତର ।

ଡ଼ାକ ସେହି ପ୍ରାଣେଶ୍ୱରେ            ଥାଇ ତାଙ୍କ ସଙ୍ଗତରେ

ଅର୍ପି ପ୍ରାଣ ସେ ପୟରେ ଦୁଃଖ ଭୟ ପରିହର ।

 

ସଙ୍କଟମୟ ସଂସାରେ            ମୋହ-ଘନ-ଅନ୍ଧକାରେ

ନିର୍ବିଘ୍ନେ ରଖିବେ ପ୍ରଭୁ ସର୍ବ କଷ୍ଟବିଘ୍ନହର ।

ସେ ପ୍ରେମ ମୁଖର ହାସ            ସର୍ବ ଭୟ କରି ନାଶ

ଉଜଳିବ ଚଉପାଶ କାହିଁ ତାର ପଟାନ୍ତର ।୬୧।

 

ମିଶ୍ର-ଖାମ୍ବାଜ-ମଧ୍ୟମାନ

ବହି ଏତେ ପାପଭାର            କେମନ୍ତ ରେ ପ୍ରାଣ ମୋର

ରହିଛୁ ନିଶ୍ଚିନ୍ତ ଏ ସଂସାରେ ।

ପାପେ ତାପେ ନିରନ୍ତର            ଦେହ ମନ ଜରଜର

ଦେଖ ରେ ଅନାଇ ଦେଖ ବାରେ ।

 

ବିଷମ ଅବସ୍ଥା ତୋର            ଜଡ଼ତା ନିରାଶା ଘୋର

ଘୋଟିଛି ହୃଦୟ ଅନ୍ଧକାରେ ।

ଆସକ୍ତିର ପ୍ରେମେ ମାତି            କାଟୁଛି ତୁ ଦିବାରାତି

ନ ଚେତିଲୁ ବିଷମ ବିକାରେ ।

 

ତାରିବାକୁ ତୋତେ ହରି            ଡ଼ାକୁଛନ୍ତି ଦୟା କରି

ଘେନ ରେ ଶରଣ ତାଙ୍କଠାରେ ।

ପଡ଼ି ରହି ପାଦତଳେ            ତାଙ୍କର କରୁଣା ବଳେ

ଅନାୟାସେ ଯିବୁ ଭବପାରେ ।

 

ନାହିଁ ରେ ଉପାୟ ଆନ            ବିନା ସେ କୃପାନିଧାନ

ସମର୍ପ ସେ ପଦେ ଆପଣାରେ ।

ଧନ୍ୟ ହେବ ଦେହ ମନ            ଧନ୍ୟ ହେବ ଏ ଜୀବନ

ତାଙ୍କ ପ୍ରେମ କରୁଣା ଆସାରେ ।୬୨।

 

ରାଗିଣୀ-କାଫି

ତାଳ-ପହପଟ

ଜଗଜ୍ଜୀବନ, ତୁମ୍ଭ ବିନା ନାହିଁ ଜଗତେ ଆନ ।

ସବୁ ଆଶା ମୋର ସରିଲା ଏଥର ଭରସା ତୁମ୍ଭରି ଚରଣ ।

ଶୁଣିଛି ମୁଁ ନାଥ,            ପାପିତାପିଙ୍କିତ

ନ ଛାଡ଼ ଅଧମ ବୋଲିଣ,

ସେହି ଆଶା ଧରି            ଡ଼ାକୁଛି ଶ୍ରୀହରି,

ଏଦଶା କର ମୋ ମୋଚନ

 

ଭିକ୍ଷା ମୋର ଏହି            ଯିବାଯାଏ ଦେହି

କଣ୍ଠରେ ଜପୁଥିବି ନାମ,

ଭକ୍ତଜନ ସଙ୍ଗେ            ମାତି ପ୍ରେମ ରଙ୍ଗେ

ସୁଖରେ ବଞ୍ଚୁଥିବି ଦିନ ।୬୩।

 

ବଙ୍ଗଳାଶ୍ରୀ

ତୁମ୍ଭ କୃପା ପୂର୍ଣ୍ଣ            ଏହି ବସୁନ୍ଧରା

ବିଶ୍ୱ ପୂର୍ଣ୍ଣ ତୁମ୍ଭ ପ୍ରେମେ,

ପ୍ରତିକ୍ଷଣ ହରି,            କରୁଣାରେ ଭରି

ଭୁବନ ପାଳୁଛ ପ୍ରେମେ ।

 

ଏ ନବ ପ୍ରଭାତେ            ଯୋଡ଼ି ବେନି ହାତେ

ଡ଼ାକଇଁ ଆକୁଳ ପ୍ରାଣେ,

ଦିଅ ଦରଶନ            ନାଥ ନିରଞ୍ଜନ

ରଖ ଦୀନେ ସନ୍ନଧାନେ ।

 

ମହିମାର ଜୟ            ଆହେ ପ୍ରେମମୟ

ଦେଖାଅ ବାରେ ଏ ପ୍ରାଣେ,

ବିନାଶି ଆସକ୍ତି            ଦିଅ ପ୍ରେମଭକ୍ତି

ଘେନିଯାଅ ଶାନ୍ତିଧାମେ ।୬୪।

 

ବିଭାସ- ଝାମ୍ପତାଳ

ଜୟ ଜୟ ବିଶ୍ୱପତି ଜୟ ହେ ପ୍ରାଣ ଆଧାର,

ଏ ଦେହ ହୃଦୟ ବୁଦ୍ଧି କର କର ଅଧିକାର ।

ସର୍ବ ବ୍ୟବଧାନ ନାଶି            ପ୍ରେମମୁଖ ପରକାଶି

ହୁଅ ଚିର ପ୍ରାଣ-ସ୍ୱାମୀ ଜିଣି କ୍ଷୁଦ୍ର ଅହଙ୍କାର ।

 

ବିନୀତ ବିଶ୍ୱାସୀ ହୋଇ            ଶ୍ରୀଚରଣ ତଳେ ଥୋଇ

ତୁମ୍ଭରି ପିବତ୍ର ନାମେ ଦେବି ପ୍ରାଣ ଉପହାର ।

ପୂର୍ଣ୍ଣ କର ଏ ପ୍ରାର୍ଥନା            ନିବାର ପାପ-ବେଦନା

ଜାଣୁଛ ହୃଦୟ ଦୁଃଖ ଉଦ୍ଧାର ନାଥ ଉଦ୍ଧାର ।୬୫।

 

ପିଲୁ-ଏକତାଲା

ବିଶ୍ୱବାନ୍ଧବ ପ୍ରଭୁ ମୋହରି ହେ,

ରଖ ଅନାଥ ଜନେ କୃପା ବିତର ହେ ।

 

ଦେଖୁଅଛି ଏ ଜୀବନ କଳଙ୍କମୟ,

କୁବାସନା ପାପ-ପାଶେ ପଡ଼ି ଅଥୟ,

ରହିଅଛି ଅନାଇ,            ଆହେ ବ୍ରହ୍ମାଣ୍ଡସାଇଁ

ତ୍ରାସେ କମ୍ପିତ ପ୍ରାଣ ବୁଦ୍ଧିତ ଦିଶୁ ନାହିଁ,

କାହିଁ ଲୁଚିବି ଯାଇଁ କିପରି ହେ ।

 

କ୍ଷମା କର ଦୀନ ଜନେ କ୍ଷମାସାଗର,

କେ ବୁଝିବ ତୁମ୍ଭ ବିନା ଦୁଃଖ ମୋହର,

କେହି ତ ନାହିଁ ଭବେ            କୃପା କରିବ ଲବେ,

ତେଣୁ ଡ଼ାକଇ ଦୁଃଖୀ ଘୋର ଆରତ ରବେ,

ରଖ ହେ ପ୍ରଭୁ ମୁହିଁ ତୁମ୍ଭରି ହେ ।୬୬।

 

କାର୍ଲାଡ଼ା-ଏକତାଳୀ

ଡାକ ଶୁଣ ହେ ମୋହର,

ତୁମ୍ଭ ବିନା ନାହିଁ କେହି ଦୁଃଖୀ ଜନର ।

ନିଜ ବଳେ ତରିବାକୁ ସଂସାର ସାଗର

ଭାଳିଥିଲି, ଭାଜିଗଲା ସେ ଦମ୍ଭ ନିକର ।

 

ସେ ସିନ୍ଧୁ-ଲହରୀ ମଧ୍ୟେ ଜୀବନ ମୋହର

ବିକଳେ ଭାସୁଛି ଦେଖ ଆହେ ପ୍ରାଣେଶ୍ୱର ।

ହଜି ଯାଇଅଛି ବୁଦ୍ଧି ନିରାଶ କାତର

ମାଗଇ ଶରଣ ଧରି ଅଭୟ ପୟର ।୬୭।

 

ଲଳିତ-ଆଡ଼ାଠେକା

ବ୍ରହ୍ମାଣ୍ଡ ଜନନୀ ମା ଗୋ କର ପ୍ରାଣ ଅଧିକାର,

ଦେଖାଅ କରୁଣାଲୀଳା ପ୍ରାଣେ ମୋର ଅନିବାର ।

ବସାଅ ଚରଣ ତଳେ ଘୋଡ଼ାଇ ସ୍ନେହ ଅଞ୍ଚଳେ

ଧୋଇ ନେତ୍ର ଭକ୍ତି-ଜଳେ ଦେଖାଅ ତୁମ୍ଭ ସଂସାର ।

 

ନିଅ ମୋତେ ପାଶେ ଟାଣି ଶୁଣାଅ ଶ୍ରୀମୁଖ ବାଣୀ ।

କର ଚିତ୍ତେ ରାଜଧାନୀ ବିଶ୍ୱରାଣୀ ମହିମାର ।

ନିଅ ଏ କଳ୍ପନା ସ୍ମୃତି ବୁଦ୍ଧି ହୃଦୟ ପ୍ରବୃତ୍ତ

ଶୁଦ୍ଧ କର ଏ ପ୍ରକୃତି ନାଶି ମା ସର୍ବ ବିକାର ।୬୮।

 

ଝିଁଝିଟ-ଏକତାଳୀ

ତୁମ୍ଭେ ହେ ଅତଳସ୍ପର୍ଶ ଅଗାଧ ଅମୃତ ରାଶି,

ପ୍ରାଣ ସେ ଅମୃତେ ବୁଡ଼ି ରହିବାକୁ ଅଭିଳାଷୀ ।

ସେ ଅମୃତ-ସରୋବରେ            ବୁଡ଼ାଇ ଦିଅ ହେ ଥରେ

ସେ ମାଧୁରୀ ଭୁଞ୍ଜଇ ଯେ ସେହି ତ ସ୍ୱରଗବାସୀ ।

 

ମଜାଇ ସେ ସୁଧା-ହ୍ରଦେ            ଭୁଞ୍ଜଇ ଦେବ-ସମ୍ପଦେ

ରଖିବ କି ସତେ ମୋତେ ଏ ପାପ ସନ୍ତାପ ନାଶି ।୯୧।

 

ଭୈରବୀ- ଏକତାଲା

ସରବ ଭ୍ରାନ୍ତି ପରପାରେ ଘେନି

ସରବ ଶ୍ରାନ୍ତି ନିବାର ।

ଶାନ୍ତ-କିରଣେ ଧ୍ୱାନ୍ତ ବିନାଶି

ପରମ କାନ୍ତି ବିସ୍ତାର ।

 

ଦୂରେ ଯାଉ ମୋର ମଳିନ ବାସ

ଘୁଞ୍ଚ ବେଦନା, ଛଳନା, ତ୍ରାସ,

ହର ଅବସାଦ ହୃଦ-ବିଷାଦ

ଶୁଭ ଶକତି ସଂଚାର ।

ଫିଟାଇ ନିଅ ମୋ’ ମୋହ ଆବରଣ

ବିନାଶ ସରବ ଅନ୍ୟ ଶରଶ

କର ଧନ୍ୟ ଜୀବନ ନିତ୍ୟ ନବୀନ

ସିଞ୍ଚ ସ୍ୱରଗ ଅସାର ।୯୨।

 

ଗାଥା-ତାଳଯତ୍‌

ସଂସାର ତାପେ ତାପିତ ମନ,

ଦିଅ ବାରେ ଦରଶନ ଅଧମ-ତାରଣ ।

ଜଳୁଅଛି ମୋର ପ୍ରାଣ,            କରୁଣାବାରି କର ଦାନ ।

ଧନ ଜନ ଯଶ ମାନ,            ଚିର ନୋହେ କଦାଚନ,

ବୃଥା ଏ ଜୀବନ ଯୌବନ,

ତୁମ୍ଭ ବିନା ଅକାରଣ ।

 

ବିନା ତୁମ୍ଭ ପ୍ରେମାନନ            ବାଞ୍ଛା ମୋର ନାହିଁ ଅନ୍ୟ,

ନିଶ୍ଚଳେ କରିବି ଦର୍ଶନ,

ନେଲିଟି ଚରଣେ ଶରଣ ।୯୩।

 

ତୋଡ଼ି-ଆଠତାଳି

ଘୋଟି ଆସୁଅଛି ଅନ୍ଧାର ହେ,

ଆସ ହେ ଜ୍ୟୋତିର ଜ୍ୟୋତି,

ହୃଦୟ-କୁଟୀରେ ପୁଣ୍ୟାଶ୍ରମ ରଚି

ବାସ କରି ବିଶ୍ୱପତି ।

 

ତୁମ୍ଭେ ଥିଲେ ପାଶେ            କି ଭୟ କାହାର,

ଲଙ୍ଘିବି ସବୁ ବିପତ୍ତି ।

ଦୁଷ୍ଟ ରିପୁ ବଳ            ହୋଇବେ ନିର୍ମୂଳ

ନିର୍ମଳ ହୋଇବ ମତି ।

 

ତୁମ୍ଭ ପ୍ରେମ ମୁଖ            ଦେଖି ପାଶୋରିବ

ଅସାର ବିଷୟ-ପ୍ରୀତି ।

ତୁମ୍ଭର ଆଦେଶ            ଭକ୍ତିଯୋଗେ ପାଳି

ଲଭିବ ପୁଣ୍ୟ ସମ୍ପତ୍ତି ।

 

ଚିରକାଳ ମୋର            ହୃଦେ ବାସ କର

ନାଶ ମୋର ପାପମତି ।

ସଂସାରର ବୃଥା            ମୋହ ଦୂର କର

ଦିଅ ବହନ ମୂକତି ।୯୪।

 

ତାଳ-ପଡ଼ି

ରଖ ରଖ ଜଗତଜୀବନ ହେ ।

ଭାରସା ମୋହର            ତୁମ୍ଭରି ପୟର,

ଆଶ୍ରୟ ତୁମ୍ଭରି ନାମ ହେ ।

 

ମୁହିଁ ଅତିପାପୀ ନରାଧମ ହେ,

ସଂସାର ଯେ କରିଛି ବିଭ୍ରମ ହେ,

ତୁମ୍ଭ ଡ଼ାକ ପାଇ            ଆସିଅଛି ମୁହିଁ,

ଯାହା କର ଏବେ ଭଗବାନ ହେ ।

 

ଅଗତିର ଗତି ତୁମ୍ଭେ ସିନା,

ସଖା କେହି ନାହିଁ ତୁମ୍ଭ ବିନା,

ହୃଦୟ-କନ୍ଦର            ତୁମ୍ଭଙ୍କୁ ଗୋଚର,

ଦିଅ ଚରଣେ ଏବେ ଶରଣ ହେ ।୯୫।

 

ରାଗ ଭୈରବ

ତାଳ-ଠୁଂରି

ଜୟ ଜଗବନ୍ଦନ,            ଜଗଜନଜୀବନ,

ଜୟ ଜୟ ଜଗହିତକାରୀ ।

ଜୟ ଦୁଃଖ-ଭଞ୍ଜନ,            ନିତ୍ୟ ନିରଞ୍ଜନ,

ବିଘ୍ନବିନାଶନକାରୀ ।

 

ଜୟ ଶିବ ଶଙ୍କର,            ମହାମହେଶ୍ୱର,

ରିପୁକୁଳ-ସଂହାରକାରୀ,

ଜୟ ଜୟ ସୁନ୍ଦର,            ମୂର୍ତ୍ତି ମନୋହର,

ମାନସ-କ୍ଷେତ୍ର-ବିହାରୀ ।

 

ସତ୍ୟ ସନାତନ,            ଆଦି ପୁରାତନ,

ପାତକନାଶନକାରୀ ।

ଜୟ ଜଗତାରଣ,            ଶୋକ-ନିବାରଣ

ସନ୍ତାନ-ସନ୍ତାପହାରୀ ।

 

ଅନ୍ତରଯାମୀ,            ଅନ୍ତରସ୍ୱାମୀ,

ଅନ୍ତ-ବିହୀନ ଅଧିକାରୀ ।

ବାନ୍ଧି ପ୍ରେମ-ପାଶେ            ରଖ ଦୀନ ଦାସେ,

କର ପ୍ରେମ-ପାଦ-ଭିକାରୀ ।୯୬।

 

ତୋଡ଼ି- ଆଠତାଳି

ଦୟାସାଗର ହେ ଦେଖାଦିଅ ଅଛ କାହିଁ,

ଜାଣିଅଛ ପ୍ରଭୁ ତୁମ୍ଭ ବିନା ଆଉ ଏ ପାପିର ଗତି ନାହିଁ ।

କାତର ପ୍ରାଣରେ ଆହେ ଦୀନବନ୍ଧୁ ଡ଼ାକୁଅଛି ଆଜ ମୁହିଁ,

ପୂର୍ଣ୍ଣ କର ଆଶା ପତିତ-ପାବନ ହୃଦୟରେ ଭକ୍ତି ଦେଇ ।

 

କାହିଁ ନାହିଁ ସୁଖ ହୃଦୟ ଦୁଃଖରେ ଭ୍ରମୁଛି ବ୍ୟାକୁଳ ହୋଇ,

ଫେଡ଼ ମୋ ସନ୍ତାପ ସନ୍ତାପ-ନାଶନ ଶାନ୍ତି-ଜଳେ ଚିତ୍ତ ଧୋଇ ।

ଦୀନଜନଙ୍କର ଅଟ ହେ ସଙ୍ଖାଳି ଦିଅ ତେଣୁ ପଦ ଛାଇ,

ଦିନ ଯାଉ ମୋର ଆହେ ଦୀନବନ୍ଧୁ ତୁମ୍ଭ ଶ୍ରୀଚରଣେ ରହି ।୯୭।

 

ରାଗିଣୀ ବେହାଗ, ତାଳ-ଆଡା

କାହିଁଅଛି ପ୍ରାଣନାଥ ଦୟାମୟ ହରି,

ପଡ଼ି ଏ ଭବସାଗରେ ଯାଉଛି ମୁଁ ସରି ।

ପଡ଼ିଣ ପାପ-ସାଗରେ            ଡ଼ାକୁଛି ମୁଁ କାତରେ

ଉଦ୍ଧାର ହେ ଦୀନବନ୍ଧୁ କେଶ ମୋର ଧରି ।

 

ପଡ଼ିଛି ମୃତ୍ୟୁ ସଙ୍କଟେ            କେହି ନାହିଁ ମୋ ନିକଟେ,

ତୁମ୍ଭେ ଥାଉଁ ଥାଉଁ ନାଥ ହେଲି ଏତେ ସରି ।

ମାଗୁଛି ଚରଣାଶ୍ରୟ            ଦୟା କର ଦୟାମୟ,

ପାପ-ଶତ୍ରୁ ଏ ହୃଦକୁ ଅଛଇ ଆବୋରି ।୯୮।

 

ତୋଡ଼ି- ଆଠତାଳି

ଦୟାସାଗର ହେ ଉଦ୍ଧର ଏ ପାପିଜନେ,

ଦରିଦ୍ରର ଆଶା କର ହେ ସଫଳ ପୁଣ୍ୟରତ୍ନ ବିତରଣେ ।

ଆହା ! ତୁମ୍ଭର ଭଣ୍ଡାର ଅକ୍ଷୟ ଅପାର

ପାଳୁଛ କୋଟି ଭୁବନେ,

ବ୍ୟାକୁଳ ହୃଦୟେ କରୁଅଛି ଭିକ୍ଷା

ବିମୁଖ ନ କର ଦୀନେ ।

 

ତୁମ୍ଭ ଶ୍ରୀଚରଣ ଦୁଃଖିର ସର୍ବସ୍ୱ

ଦିଅ ସେହି ଇଷ୍ଟଧନେ,

ସେ ସମ୍ବଳ ଘେନି ଏ ଭବ-ଜଳଧି

ତରିବି ନିର୍ଭୟ ମନେ ।୯୯।

 

ଆଲେହିଆ-ତିମେ ତେତାଲା

ଦୁଃଖୀ ଡାକୁଛି ଆକୁଳେ,

ଦୟାକର ଦୀନବନ୍ଧୁ            ଭାସିଗଲ ଭବଜଳେ ।

ଭବଜଳ ତରଙ୍ଗରେ            ବିଷୟ-ଲହରୀ ଖେଳେ,

ଚେତନାକୁ ବାରମ୍ବାର ନାଶଇ ହେଳେ ।

ଅକାରଣେ ନାଶ ଗଲି            କୁସଙ୍ଗ ମେଳେ,

ରଖ ରଖ ରଖ ପ୍ରଭୁ ତୋର ପତିତ ବାଳେ ।

 

ଉପାୟ ନ ଦେଖି କାହିଁ,            ଦୁଃଖ ଜଣାଉଛି ମୁହିଁ,

ପାପ-ତାପେ ଦାଉ ଦାଉ ହୃଦୟ ଜଳେ,

ତୁମ୍ଭ ବିନା କେ ଉଦ୍ଧାରେ ନ ଦେଖି ଡ଼ୋଳେ,

ମୁହିଁ ଦୀନଜନ ମୋତେ କର କରୁଣା ବେଳେ ।

 

ଦୁଃଖିଙ୍କ ଦୁଃଖ-ଭଞ୍ଜନ            କରୁଛ ହେ ସନାତନ,

ଜଗତେ ବୋଲନ୍ତି ଦୟାନିଧି ସକଳେ,

କେତେ କେତେ ମହାପାପୀ            ତାରିଲ ହେଳେ,

କୃପା କର କୃପାନିଧି କୃପାରେ ଧର କୋଳେ ।୧୦୦।

 

ମନହରସାଇଁ-ଏକତାଳୀ

ପ୍ରେମ-ତରଙ୍ଗ            କରୁଛି ରଙ୍ଗ

କେତେ ଆଜି ଏ ଉତ୍ସବେ,

ଶୁଷ୍କ ଜୀବନ            ସଂକୀର୍ଣ୍ଣ ମନ

ପ୍ରେମେ ବିଭୋଳ ନୀରବେ ।

 

ହେ ଭକ୍ତଗଣ,            ସ୍ୱର୍ଗଭୁବନ

ଦେଖ ହୋଇଛି ଅବନୀ,

(ଭକ୍ତସଖା ଆଗମନେ)

ପ୍ରେମ-ଜଳଧି            ଜୀବନ-ନଦୀ

ଏକାକାର ଆଜି ଭବେ ।

 

ତନ୍ଦ୍ର ତପନ            ତାରା ଗଗନ

ସତ୍ୟରୂପ ସାଗରରେ

ହୋଇ ଭାସମାନ            ସତ୍ୟଜୟ ଗାନ

କରୁଅଛନ୍ତି ସରବେ ।

(ଆହା କି ସୁଧାମୟ ସ୍ୱରେ)

 

ଧନ୍ୟ ଜୀବନ            ଧନ୍ୟ ମରଣ

ଇହକାଳ ପରକାଳ,

ଏକାଧାରେ ଆଜି            ଏକାକାରେ ରାଜି

ଘୋଷୁଛନ୍ତି ସଗରବେ ।

(ମାଭୈ ମାଭୋରବେ)

 

ଜୀବନ ପୁରାଣେ            ଏ ଦୃଶ୍ୟ ଯତନେ

ଲେଖି ରଖ ହେ ମାନବେ,

ନିତ୍ୟ ନବ ନବ            ଦେଖିଣ ଉତ୍ସବ

ନୀରସ ନ ହୁଅ ଲବେ ।

(ସଂସାର ମରୁ ମଧ୍ୟରେ)

 

ରକ୍ତ ମାଂସର            ହୋଇ ସହଚର

ଭ୍ରମି ଅସତ୍ୟପଥରେ,

କେତେ ମହାପାପ            କରିଛ ଅମାପ

ନ ଦେଖି ପ୍ରାଣ-ବଲ୍ଲଭେ ।

(ଜଡ଼ ଅଧୀନ ହୋଇ)

 

ଆଜି ଶୁଭଦିନେ            ସଂକଳ୍ପ ଜୀବନେ

କର ହେ ମିଳି ସରବେ,

(ସତ୍ୟପଥେ ଚାଲିବ)

ବ୍ରହ୍ମପଦ ଧରି            ପ୍ରେମ ଅନୁସରି

ମାତିବ ପୁଣ୍ୟ ଗୌରବେ ।୧୦୧।

 

ରାଗିଣୀ ଲଳିତ- ତାଳ ଆଡ଼ାଠେକା

ସତ୍ୟରେ ଦୀକ୍ଷିତ କରି ଆତ୍ମା ମୋର ନିରନ୍ତର

ଅସତ୍ୟ-ମୃତ୍ୟୁ-ହସ୍ତରୁ ଅଚିରେ ମୋତେ ଉଦ୍ଧର

ଆତ୍ମା ମୋର ହେଉ ଶର, ଲକ୍ଷ୍ୟ ହୁଅ ପ୍ରାଣେଶ୍ୱର

ସତ୍ୟଂ ଉଚ୍ଚାରଣେ ସ୍ପର୍ଶୁ ତବ ପବିତ୍ର ପୟର ।

 

ପ୍ରଗାଢ଼ ପବିତ୍ରାନନ୍ଦ ଗଭୀର ବିଶ୍ୱାସ ସହ

ଏକପଥେ ଏକ ଦିଗେ ହେଉ ଆତ୍ମା ଅଗ୍ରସର ।

ସତ୍ୟମୟ ଏ ଜୀବନ ହୋଇ ନାହିଁ ଯେତେଦିନ

ତେତେଦିନଯାଏ ଲକ୍ଷ୍ୟ ହୋଇ ଥାଅ ସତ୍ୟେଶ୍ୱର ।

 

ତୁମ୍ଭେ ଲକ୍ଷ୍ୟ ତୁମ୍ଭେ ପଥ ଜାଣୁ ଜୀବନ ମୋହର

ତୁମ୍ଭ ଛଡ଼ା ଅନ୍ୟ ପଥ ନାହିଁ ଆଉ ଏ ପ୍ରାଣର ।୧୦୨।

 

ଜୟ ଜୟନ୍ତୀ ଝାମ୍ପତାଳ

ନୟନ ଅତୀବ ସେହି ପରଲୋକ ମହାଳୟେ

ଆସ ଯିବା ସଶରୀରେ ତେଜି ସକଳ ସଂଶୟେ ।

ଆହା ସେ ଅମୃତ ଲୋକ            ନାହିଁ ଯହିଁ ମୃତ୍ୟୁ ଶୋକ

ଅନନ୍ତ ମିଳନ-ଭୂମି ସର୍ବ ହୃଦୟେ ହୃଦୟେ ।

 

ଶୋକେ ଜର୍ଜରିତପ୍ରାଣ            କାହିଁକି ବ୍ରହ୍ମ-ସନ୍ତାନ

ଛନ୍ତି ସର୍ବେ ପ୍ରିୟଜନ ତହିଁ ଅଭୟ ଆଶ୍ରୟେ ।

ଯୋଗୀ ୠଷି ମହାଜନ            କଲେ ଯହିଁକି ଗମନ

ଆମ୍ଭର ଆତ୍ମୀୟ ଜନ ଯାଇଛନ୍ତି ସେ ନିଳୟେ ।

 

ବିଶ୍ୱାସେ ଆଶ୍ୱାସ ଲଭି            ଦେଖ ସେ ଅମୃତ ଛବି

ସେ ଧାମେ ଅମର ସର୍ବେ ଜିଣି ଶୋକ-ମୃତ୍ୟୁ-ଭୟେ ।୧୦୩।

 

ବେହାଗ-ଆଡ଼ାଠେକା

ଏ ଶୋକ ଅନ୍ଧାରେ

ତୁମ୍ଭରି ଅମୃତ ଜ୍ୟୋତି ଦେଖାଅ ହେ ବାରେ ।

ଚୌଦିଗେ ମୃତ୍ୟୁ-ଡଗର            ବୁଲୁଅଛି ନିରନ୍ତର

ଘେନି ଯାଉଅଛି କେତେ ଆତ୍ମୀୟ ସଖାରେ ।

 

ପ୍ରତି ପ୍ରାଣେ ଶୋକ ଛାୟା            ବିକଳେ କାନ୍ଦଇ ମାୟା

ଦିଅ ହେ ସାନ୍ତ୍ୱନା ଏହି ଘୋର ନିରାଶାରେ ।

ମୃତ୍ୟୁ ମଧ୍ୟେ ପ୍ରଭୁ ତବ            ଅମୃତର ମହୋତ୍ସବ

ଦେଖାଇ ବିନାଶ ନାଥ ଭୟ ଭାବନାରେ ।୧୦୪।

 

ଠୁମରି

ଏ ଗୃହ- ଆକାଶେ ନବୀନ ଜ୍ୟୋତି

ପ୍ରକାଶିଲ ପ୍ରଭୁ କରୁଣାଭରେ ।

ଅମୃତଧାମର ନବୀନ ଯାତ୍ରୀ

ପ୍ରେରିଅଛି ନାଥ ପ୍ରେମ-ଆଦରେ ।

ସଂହାରିବାପାଇଁ ଦୂରିତରାଶି

ପ୍ରେରିଲ କି ନବ ବୀର ସମରେ ।

ତୁମ୍ଭରି ଦୟାର ନବ ନିଦର୍ଶନ

ଦେଖାଇଲ ଏହି ଗୃହ ମଧ୍ୟରେ ।

ଧନ୍ୟ ବିଶ୍ୱମାତଃ ତବ କରୁଣା

ଆଜି ହେ ଆନନ୍ଦ ବିଧାନ କରେ ।୧୦୫।

 

ଲଳିତା ଆଡ଼ାଠେକା

ଏ ସଂସାର ରଙ୍ଗଭୂମି, ତୁମ୍ଭେ ତାର ସୂତ୍ରଧାର,

ନିତ୍ୟ ନବ ନବ ଆତ୍ମା ଦେଖାଉଛି ଅନିବାର ।

 

ଅଦୃଶ୍ୟ ନେପଥ୍ୟଦେଶ      ତେଜି କି ପୁଣ୍ୟ-ସନ୍ଦେଶ

ଆଣୁଛନ୍ଦି ଭବେ ତବ ନବ ପରିକର ।

ଆଜି ଏ ଗୃହେ କି ରଙ୍ଗେ      ନବ ମାତାର ଉତ୍ସଙ୍ଗେ

ନବାନନ୍ଦପ୍ରଦ ନବ-ଶିଶୁ ଶୋଭେ ମନୋହର ।

 

ଅଙ୍କ ଗର୍ଭାଙ୍କକ୍ରମେ            ତୁମ୍ଭରି ଚରଣାଶ୍ରମେ

ତୁମ୍ଭରି ମଙ୍ଗଳ-ଲୀଳା ଦେଖାଉ ହେ ଅନିବାର ।

ତୁମ୍ଭରି ପୁଣ୍ୟ ଆନନ୍ଦେ      ନୂତନ ଗାୟତ୍ରୀଛନ୍ଦେ

ଏହାର ଜୀବନ-ବେଦ ରଚ ବ୍ରହ୍ମ ପରାତ୍ପର ।୧୦୬।

 

ଭାଟିଆରୀ- ଆଭାତାଳି

ଶୁଭକ୍ଷଣେ

ଏ ଯୁଗଳ ହୃଦ ରଖ ଶ୍ରୀଚରଣେ ।

ତୁମ୍ଭରି ପ୍ରେମର ଜଗତରେ

ପ୍ରେମେ ଲୋଡ଼ି ଦୁହେଁ ପରସ୍ପରେ,

ଆସିଛନ୍ତି ଆଜି            ଆଶୀର୍ବାଦ ଆଶେ

ପବିତ୍ର କର ହେ ଏ ମିଳନେ ।

 

ବେନି ହୃଦ ବେନି ହସ୍ତ ଧରି

ବିଶ୍ୱପୁରୋହିତ ଆହେ ହରି,

ଯୁଗଳ ହୃଦୟ            କରିଦିଅ ଏକ

ତୁମ୍ଭ ପ୍ରେମ-ମନ୍ତ୍ର ଉଚ୍ଚାରଣେ ।

 

ବିଘ୍ନ ବାଧା ସବୁ କରି ଦୂର

କର ଏ ମିଳନ ସୁମଧୁର,

ପ୍ରେମବ୍ରତେ କରି            ଦୁହିଙ୍କି ଦୀକ୍ଷିତ

ଘେନିଯାଅ ପ୍ରେମ- ନିକେତନେ ।୧୦୭।

 

ବନ୍ଦନା

ବେଲାଓଲ-ତ୍ରିତାଳି

ଜୟ ଜଗଦୀଶ୍ୱର            ଜୟ ପରମେଶ୍ୱର

ଜୟ ଜୟ ମଙ୍ଗଳ ଦାତା,

ଜୟ କରୁଣାମୟ            ଜୟ ବିଶ୍ୱ-ଆଶ୍ରୟ

ଜୟ ଜୟ ବିଶ୍ୱ-ବିଧାତା ।

 

ଜଗତ-ଉଦ୍ଧାରକ            କୋଟିବିଶ୍ୱପାଳକ

ସର୍ବହିତକାରକ ପାତା,

ସର୍ବ-ଦୁଃଖ-ବାରଣ            ସର୍ବ-ଶୁଭ-କାରଣ

ଦୀନଜନ-ତାରଣ ତ୍ରାତା ।

 

ପୁଣ୍ୟଶାନ୍ତିଦାୟକ            ସର୍ବସୃଷ୍ଟିନାୟକ

ତ୍ରିଭୁବନବ୍ୟାପକ ଜ୍ଞାତା,

ବିଶ୍ୱପିତା ତାରକ            ପାପତାପହାରକ

ଜୟ ଜୟ ଜଗତ-ମାତା ।୧୦୮।

 

ବନ୍ଦନା

ସିନ୍ଧୁ-ମିଶ୍ର-ଏକତାଲା

ଜୟ ଦେବ ଜୟ ଦେବ      ଜୟ ମଙ୍ଗଳଦାତା

ପ୍ରଭୁ ମଙ୍ଗଳଦାତା,

ପରମ ପିତା, ମାତା            ପରମ ପିତା ମାତା

ଭୁବନ-ବିଧାତା ।

 

ଅଖଣ୍ଡ ତବ ମହିମା            କୋଟିବିଶ୍ୱପାତା

ପ୍ରଭୁ କୋଟିବିଶ୍ୱପାତା,

ମଙ୍ଗଳ ସୁନ୍ଦର ହରି            ମଙ୍ଗଳ ସୁନ୍ଦର ହରି

କରୁଣାମୟ ତ୍ରାତା ।

 

କୋଟିବିଶ୍ୱବନ୍ଦିତ      ସୁନ୍ଦର ତବ ଚରଣେ

ପ୍ରଭୁ ସୁନ୍ଦର ତବ ଚରଣେ,

ଧ୍ୟାୟି ନାଥ ହୃଦୟେ            ଧ୍ୟାୟି ନାଥ ହୃଦୟେ

ପାମର ମୁହିଁ ପ୍ରଣମେ ।

 

ଦୀନଜନବତ୍ସଳ ହେ            ମାଗେ ଶରଣ ଦ୍ୱାରେ

ପ୍ରଭୁ ମାଗେ ଶରଣ ଦ୍ୱାରେ,

ମୁହିଁ ମୂଢ଼ ଅପରାଧୀ      ମୁହିଁ ମୂଢ଼ ଅପରାଧୀ

କ୍ଷମା କର କରୁଣାରେ ।୧୦୯।

 

ସ୍ତୋତ୍ର

ଅନୁଷ୍ଟୁପ୍ ଛନ୍ଦ

ନମଃ ପରାତ୍ପର ବ୍ରହ୍ମ ନମସ୍ତେ ପରମେଶ୍ୱର

ନମଃ ସର୍ବଜଗଦ୍‌ବ୍ୟାପିନ୍ ନମସ୍ତେ ବିଶ୍ୱକାରଣ ।

ନମୋ ଗୁରୋ ପିତର୍ମାତଃ ନମଃ ପ୍ରାଣପତେ ପ୍ରଭୋ

ନମସ୍ତେ କରୁଣାସିନ୍ଧୋ ସଚ୍ଚିଦାନନ୍ଦ ସୁନ୍ଦର ।

 

ଜଗନ୍ନାଥ ଜଗତ୍ତ୍ରାତଃ ଦୀନବନ୍ଧୋ ଦୟାମୟ

ନମସ୍ତେ ଜଗଦାଧାର ନମସ୍ତେ ଜଗଦୀଶ୍ୱର ।

ଭବାବି କର୍ଣ୍ଣଧାରେଶ ନାମୋ ନିତ୍ୟ ନିରଞ୍ଜନ

ଅନନ୍ତ ସର୍ବଲୋକେଶ ପରମାତ୍ମାନ୍ ନମୋନମଃ ।୧୧୦।

 

ସ୍ତୋତ୍ର

ଭୁଜଙ୍ଗପ୍ରୟାତ ଛନ୍ଦ

ନମୋ ଦେବ ଦେବ      ନମୋ ଦୀନବନ୍ଧୋ

ନମୋ ନିର୍ବିକାର            ନମଃ ପ୍ରେମସିନ୍ଧୋ

ନମସ୍ତେ ବରେଣ୍ୟ            ନମସ୍ତେ ଶରଣ୍ୟ

ନମୋଽନନ୍ତ ଦେବ            ନମୋ ଧନ୍ୟ ଧନ୍ୟ ।

 

ନମସ୍ତେ ମହେଶ            ନମୋ ମୁକ୍ତିଦାତଃ

ନମୋ ନିଷ୍କଳଙ୍କ            ନମଃ ପାପିତ୍ରାତଃ

ନମସ୍ତେ ସ୍ୱୟମ୍ଭୋ            ନମଃ ସ୍ୱପ୍ରକାଶ

ନମୋ ଦୀନନାଥ            ନମଃ ଶ୍ରୀନିବାସ ।୧୧୧।

 

ପ୍ରାର୍ଥନା

ସ୍ରଗ୍ଧରା ଛନ୍ଦ

ଅଜ୍ଞାନାନ୍ଧେ ମହେଶ            ପ୍ରଭୁ କର କରୁଣା

ବିଘ୍ନ ସନ୍ତାପ ନାଶ,

ଆଶା ପ୍ରେମେ କୃପାଳୁ      ନମଇ ତବ ପଦେ

ପୁଣ୍ୟ-ସୂର୍ଯ୍ୟ ପ୍ରକାଶ ।

 

ନାମାନନ୍ଦେ ତରାଅ            ଅଧମ ଜନ-ଗଣେ

ଶୁଦ୍ଧ ବିଶ୍ୱାସ ଦାନେ,

ତ୍ରାତା ପାତା ଦୟାଳୁ            ରସୁ ହୃଦୟ ସଦା

ନାଥ ତ୍ୱନ୍ନାମ ଗାନେ ।୧୧୨।

 

ଆରତି

ଆରତି କରେ ନରନାରୀ

ପତିତ ପାବନ      ପତିତ-ପାବନ

ସର୍ବଶୁଭକାରୀ ।

 

ହୃଦୟ ଉଜ୍ଜ୍ୱଳ      ଲଭି ପ୍ରେମଜ୍ୟୋତି

ହେ ମଙ୍ଗଳମୟ      ହେ ମଙ୍ଗଳମୟ

କୋଟି ବିଶ୍ୱପତି ।

 

ମୁକ୍ତିଦାତା, ତବ       ଚରଣେ ପ୍ରଣତି

ଜୟ ପ୍ରେମମୟ      ଜୟ ପ୍ରେମମୟ

ବିତର ସୁମତି ।୧୧୩।

 

ସଂକୀର୍ତ୍ତନ

ଘୋଷ ହେ ଜଗତ ଜନେ ମହାନନ୍ଦ ମନେ,

ସୁଧାମୟ ବ୍ରହ୍ମନାମ            ପ୍ରାଣାରାମ

ମୁକ୍ତିଧାମ ଏ ଭୁବନେ ।

 

ସେହି ମହାନାମେ ଭକ୍ତି      ମହାଶକ୍ତି

ପାପତାପବନାଶନେ ।

ଲୌହ ପ୍ରାଣ ଦ୍ରବି ଯିବ      ଆରେ ଜୀବ

ସେହି ନାମ ସଂକୀର୍ତ୍ତନେ ।

 

ସେହି ନାମାମୃତ ବାରି      ନରନାରୀ

ପାନ କର ଅନୁକ୍ଷଣେ;

କର ପ୍ରାଣ ମନ            ସମର୍ପଣ

ପ୍ରଭୁଙ୍କର ଶ୍ରୀଚରଣେ ।୧୧୪।

 

ବ୍ରହ୍ମ ପଦତଳେ ପ୍ରାଣ କର ସମର୍ପଣ ରେ,

ବିଳମ୍ବ ନ କର ଆଉ ଗଲା ଏ ଜୀବନ ରେ ।

ଛାଡ଼ି ପାପାସକ୍ତି ଯଦି ସେ ପଦେ ମଜିବୁ ରେ,

ଲଭି ନବ ପ୍ରାଣ            ନିତ୍ୟ ଶାନ୍ତିଧାମ

ସଶରୀରେ ଜୀବ ଯିବୁ ରେ ।

 

ବ୍ରହ୍ମ ପୁଣ୍ୟାନଳ ଯଦି ଲାଗିବ ଜୀବନ ରେ

ହେବ ରେ ସର୍ବଶ            ପାପାସୁର ଧ୍ୱଂସ,

କ୍ଷଣକେ ମହାଦହନରେ ।

 

ବିଷୟ-ଗରଳ ତେଜି ବ୍ରହ୍ମ ପ୍ରେମାମୃତ ରେ

ପାନ କର ସୁଖେ            ବ୍ରହ୍ମନାମ ମୁଖେ

କି କରିବ କାଳଦୂତରେ ।୧୧୫।

 

ବ୍ରହ୍ମକୃପାହି କେବଳଂ ଗାଅ ନରନାରୀ,

ବ୍ରହ୍ମକୃପା ବିନା ଗତି ନାହିଁ ହେ କାହାରି ।

 

ଏକ ମାତ୍ର ବ୍ରହ୍ମକୃପା ପାପତାପହାରୀ,

ସେହି କୃପାବଳେ ଭବସିନ୍ଧୁ ହେବା ପାରି ।

 

ସେହି କୃପା ଜୟ ଗାଅ ଦିବସ ଶର୍ବରୀ,

ଶରଣ ପଶହେ ସର୍ବେ ଚରଣେ ତାହାରି ।୧୧୬।

 

ଆସ ହେ ଆସ ହେ ଭାଇ ଯିବା ବ୍ରହ୍ମନିକେତନେ,

ପଶିବା ଶରଣ ସର୍ବେ ସେ ଅଭୟ ଶ୍ରୀଚରଣେ ।

ଦୁଃଖୀ ଅସହାୟ ସଖା ଏକା ସେହି ତ୍ରିଭୁବନେ,

ସେହି ସିନା ବୁଝିବେ ରେ ମର୍ମ ଦୁଃଖ ସଂଗୋପନେ ।

 

ପିତା ମାତା ପ୍ରଭୁ ଗୁରୁ କେ ଅଛି ତାଙ୍କ ବିହୁନେ

ପତିତପାବନ ପ୍ରଭୁ ଉଦ୍ଧାରିବେ କୃପାଗୁଣେ ।

ଅଛି ରେ ଅମୃତ ଧନ ତାଙ୍କରି ଶାନ୍ତି-ଭବନେ

ହରିବେ ସକଳ ଦୁଃଖ ଦେଇ ସେ ଅମୃତ-ଧନେ ।

 

ଡାକରେ ବ୍ୟାକୁଳେ ଡାକ ସେହି ଅଧମତାରଣେ

ବିଶ୍ୱାସେ ଲଭିବ ସ୍ୱର୍ଗ ସନ୍ଦେହ ନ କର ମନେ ।୧୧୭।

 

କୀର୍ତ୍ତନ

ପ୍ରଭୁ ହେ ମୁହିଁ ଅଧମ ଜନ,

ବ୍ୟାକୁଳେ ତୁମ୍ଭରି ମାଗେଁ ଚରଣ ।

ଦେଖ ପ୍ରଭୁ ମୋର କିବା ଦୁର୍ଗତି,

ନାଶଗଲି ବାରେ ଲଗାଅ କତି ।

 

ନିରନ୍ତର ପାପେ ଗଲା ମୋ ଦିନ,

କିପରି ତରିବି କହ ବହନ ।

ଜାଣିଲିଣି ମୁହିଁ ତୁମ୍ଭ ବିହୀନେ,

ଆନ କେ ଦୋଷର ନାହିଁ ଭୁବନେ ।

 

ମୋପରି କେତେକ ପାପିସନ୍ତାନ,

ତରିଛନ୍ତି ଧରି ତବ ଚରଣ ।

ଛଡ଼ାଅ ମୋହର ପାପ-ବାସନା,

କାତରେ ଡାକୁଛି କର ଏ ଘେନା ।

 

ପଡ଼ିଲି ଚରଣେ ରଖ ବା ମାର,

ଯାହା ଇଚ୍ଛା ପଛେ ସେଇତା କର ।୧୧୯।

 

କୀର୍ତ୍ତନ

ଗାଅ ଆନନ୍ଦେ             ସର୍ବେ ଗାଅ ଗାଅ ।

ଏକମାତ୍ର ପରମାତ୍ମା       ବ୍ରହ୍ମାଣ୍ଡ ବିଧାତା,

ଏକମାତ୍ର ପ୍ରଭୁ ଗୁରୁ            ବନ୍ଧୁ ପିତାମାତା

ଏକମାତ୍ର ପରିତ୍ରାତା            ପବିତ୍ର ମହାନ,

ଏକମାତ୍ର ସର୍ବସାକ୍ଷୀ      ମଙ୍ଗଳନିଦାନ ।

ଏକମାତ୍ର ହିତକାରୀ            ଅଗତିର ଗତି,

ଏକମାତ୍ର ପ୍ରାଣସ୍ୱାମୀ      ସର୍ବଲୋକପତି ।

 

ଏକମାତ୍ର ଆଦିଶକ୍ତି            ଅଖିଳକାରଣ,

ଏକପାତ୍ର ଶାନ୍ତିଦାତା      ପତିତପାବନ ।

ଏକମାତ୍ର ଅଦ୍ୱିତୀୟ            ଅନନ୍ତ ଅପାର,

ଏକମାତ୍ର ସର୍ବବ୍ୟାପୀ      ବ୍ରହ୍ମ ନିରାକାର ।

 

ଏକମାତ୍ର ସନାତନ            ସ୍ୱୟମ୍ଭୂ ଇଶ୍ୱର,

ଏକମାତ୍ର ସତ୍ୟଜ୍ୟୋତି      ଅମୃତସାଗର ।

ଏକମାତ୍ର ଅନ୍ତର୍ଯ୍ୟାମୀ      ଅଧମତାରଣ,

ଏକମାତ୍ର କୃପାସିନ୍ଧୁ            କାତରଶରଣ ।

 

ଏକମାତ୍ର ଭୟହାରୀ      ଭବକର୍ଣ୍ଣଧାର,

ଏକମାତ୍ର ଜଗନ୍ନାଥ            ଜୀବନ ଆଧାର ।

ଏକମାତ୍ର ଧର୍ମରାଜ            ସର୍ବଶକ୍ତିମୟ,

ଏକମାତ୍ର ସୁଧାସିନ୍ଧୁ            ଆନନ୍ଦ-ଆଳୟ ।

 

ଏକମାତ୍ର ଜ୍ଞାନମୟ            ଜାଗ୍ରତବିଧାତା,

ଏକମାତ୍ର ନ୍ୟାୟକାରୀ      ନ୍ୟାୟଦଣ୍ଡଦାତା ।

ଏକମାତ୍ର ନିଷ୍କଳଙ୍କ            ପାଷଣ୍ଡଦଳନ,

ଏକମାତ୍ର ମୋକ୍ଷସେତୁ      ନିତ୍ୟ ନିରଞ୍ଜନ ।

 

ଏକମାତ୍ର ମୃତ୍ୟୁଞ୍ଜୟ      ପ୍ରତ୍ୟକ୍ଷଦେବତା,

ଏକମାତ୍ର ଭଗବାନ            ଭୁବନକରତା ।

ଏକମାତ୍ର ପ୍ରାଣେଶ୍ୱର      ପରମସୁନ୍ଦର,

ଏକମାତ୍ର ଭକ୍ତସଖା            ଭକ୍ତମନୋହର ।

 

ଏକମାତ୍ର କୃପାସିନ୍ଧୁ            କଳୁଷଭଞ୍ଜନ,

ଏକମାତ୍ର ସିଦ୍ଧିଦାତା            ସଂଙ୍କଟବାରଣ ।

ଏକମାତ୍ର ପୁଣ୍ୟ-ସୂର୍ଯ୍ୟ      ବିଭୁ ଜଗଦ୍‌ଗୁରୁ

ଏକମାତ୍ର ଭକତର            ବାଞ୍ଛାକଳ୍ପତରୁ ।

 

ଏକମାତ୍ର ପ୍ରେମଚନ୍ଦ୍ର      ହୃଦୟ ଆକାଶେ,

ଏକମାତ୍ର ପ୍ରାଣସଖା      ସଦା ଦୁଃଖୀ ପାଶେ ।

ଏକମାତ୍ର ବିଶ୍ୱବନ୍ଦ୍ୟ            ବିଘ୍ନବିନାଶନ,

ଏକମାତ୍ର ଅନ୍ନ ଧନ            ସମ୍ପଦକାରଣ ।

 

ଏକମାତ୍ର ଆଦିକବି            ଆଦିଚିତ୍ରକର,

ଏକମାତ୍ର ପ୍ରକାଶକ            ନିଜ ସ୍ୱରୂପର ।

ଏକମାତ୍ର ଘୋର            ମୋହ-ରାତ୍ରିବିନାଶ,

ଏକମାତ୍ର ଭକ୍ତହୃଦ-            ପଦ୍ମର ତପନ ।

 

ଏକମାତ୍ର ନିର୍ବିକାର            ନିଖିଳ-ଆଶ୍ରୟ,

ଏକମାତ୍ର ଦର୍ପହାରୀ            ଦୀନଦୟାମୟ ।

ଏକମାତ୍ର ବୁଦ୍ଧିଦାତା            ଦୁର୍ବଳର ବଳ,

ଏକମାତ୍ର ଗତି ଆଶା      ଭରସା କେବଳ ।

 

ଏକମାତ୍ର ଚିଦାନନ୍ଦ            ପୂର୍ଣ୍ଣ ପରମେଶ,

ଏକମାତ୍ର ପ୍ରଜାପତି            ଅନାଦି ଅଶେଷ ।

ଏକମାତ୍ର ଅତୀନ୍ଦ୍ରିୟ            ବାଙ୍ମନ-ଅତୀତ,

ଏକମାତ୍ର ମହାରାଜ            ବ୍ରହ୍ମାଣ୍ଡସେବିତ ।

 

ଏକମାତ୍ର ଶାସ୍ତିଦାତା      ପାଷାଣ୍ଡଦଳନ,

ଏକମାତ୍ର ରୋଗହାରୀ      ସନ୍ତାପହରଣ ।

ଏକମାତ୍ର ବିଶ୍ୱଲକ୍ଷ୍ମୀ            ବ୍ରହ୍ମାଣ୍ଡଜନନୀ,

ଏକମାତ୍ର ଭକ୍ତପ୍ରାଣ            ହୃଦସ୍ପର୍ଶମଣି ।

 

ଏକମାତ୍ର ମହାଶକ୍ତି            ମହାଭୟଙ୍କରୀ,

ଏକମାତ୍ର ଜଗଦମ୍ବା            ରାଜରାଜେଶ୍ୱରୀ ।

ଏକମାତ୍ର ରିପୁକୁଳ-            ସଂହାରକାରିଣୀ,

ଏକମାତ୍ର ପୁଣ୍ୟପ୍ରେମ-      ସତ୍ୟପ୍ରସବିନୀ ।

 

ଏକମାତ୍ର ନିତ୍ୟ ନବ      ନିତ୍ୟ ପୁରାତନ,

ଏକମାତ୍ର ଇଷ୍ଟଦେବ      ଭୁବନମୋହନ ।

ଏକମାତ୍ର ସର୍ବାଶ୍ରୟ            ଇହ ପରଲୋକେ,

ଏକମାତ୍ର ପ୍ରାଣାରାମ      ଦୁଃଖେ ତାପେ ଶୋକେ ।

 

ଏକମାତ୍ର ରସସିନ୍ଧୁ            ଲୀଳାମୟ ହରି,

ଏକମାତ୍ର ଯାର ନାମେ      ପାପୀ ଯାଏ ତରି ।୧୨୦।