Unknown

ମାତୃ-ପୂଜା

ଚିନ୍ତାମଣି ମହାନ୍ତି

ବଙ୍ଗଳାଶ୍ରୀ

ହେତୁ ବିଶେଷରୁ            ରଜନୀରେ ଦିନେ

ହେଲାନାହିଁ ନିଦ୍ରାକ୍ଷଣେ,
ଗୋଟି ଗୋଟି ଆସି            ବହୁଗତ ସ୍ମୃତି

ପାତିଲେ ଆସନ ମନେ ।

 

ବାଲ୍ୟ ଯୌବନର            ସୁଖ ଦୁଃଖ ମୟ

କେତେ ସାନ ବଡ଼ କଥା,

ବିସ୍ମୃତି-ପ୍ରବାହ            ପ୍ରତିଲୋମେ ଭାସି

ଆସିଲା ସ୍ୱତଃ ସର୍ବଥା ।

 

ଦୁଃଖ-ଶେଯେ ଶୋଇ            କେତେବେଳ ଯାଏଁ

ନାନାକଥା ଏହିପରି,

ଭାବି ଭାବି ହେଲି            ବିରକ୍ତ ତଥାପି

ପାହିଲା ନାହିଁ ଶର୍ବରୀ ।

 

ସୁଖ ପ୍ରାୟ ସୁଖ            ରାତ୍ରି କ୍ଷଣସ୍ଥାୟୀ

ଯାଏ ସେ ଚାଣ୍ଡେ ପ୍ରଭାତି,

ମାତ୍ର ଦୁଃଖ ରାତି            ହୁଏ ସିନା ପ୍ରତେ

ଏକରାତି ସାତରାତି ।

 

ନିଶା ଉଜାଗରେ            ବ୍ୟତି ବ୍ୟସ୍ତହୋଇ

ନିଶୀଥେ ପ୍ରାଙ୍ଗଣେ ଆସି,

ଶୋଇଲି ସୁଧୀର            ଶୀତିଳ ସମୀର

ସେବକ ମନେ ମନାସି ।

 

ସ୍ୱଭାବେ ସୁଖଦି            ଶରଦ ସମୟ

ଦୁକ୍ଷେ ଚାନ୍ଦର ରଜନୀ,

ପାରଦ ସଲୀଳେ            ଦାନକଲା ପ୍ରାୟ

ଆଭାଷେ ନଭଃ ଅବନୀ ।

 

ଦକ୍ଷିଣାଶା-ଯୋଦ୍ଧା-            ବାସା-ଦୁଷାମୋତି

ପରାଏ ଅଗସ୍ତ୍ୟ ତାରା,

ଜକ ଜକ ହୋଇ      ଢାଳି ଦେଉଅଛି

ସୁଖମ-ପିୟୁଷ ଧାରା ।

 

ଇନ୍ଦୁକର ଜାଳେ            ନଭେ ହିନପ୍ରଭ

ବିରଳ ତାରା ପଙ୍କତି,

ପୁରାଣ-ପ୍ରବୀଣ            ପ୍ରାଜ୍ଞ ପାଶେ ଯଥ

ଦର ପାଠୁଆଙ୍କ ଗତି ।

 

କୁଣ୍ଡା ଝଡ଼ାବର୍ଷା-            ପ୍ରାୟ ଝରେ ଶୀତ

ତୁଷାର କଣା ସମୂହ,

ମନୋଦୁଃଖେ କିବା            ଛିଞ୍ଚାଡ଼ି ଦିଅନ୍ତି

ବିଧୁଦାରା-ତାରା ଲୁହ ।

 

ଶରତ ସଂସର୍ଗେ            ଶଶାଙ୍କ ନିର୍ମଳ

ତର୍ମର ଧରା ଗଗନ,
ସାଧୁ ସହବାସେ            ନିଷ୍କଳୁଷ ଯଥା

ହୁଏ ବାକ୍ୟ ବୁଦ୍ଧିମନ ।

 

କ୍ଷଣେ ଧରାପରେ            ପଡ଼ି ଅନ୍ତର୍ହିତ

ହୁଏ ଚତଘନ ଛାଇ,

ମର୍ତ୍ତ୍ୟ ଶୋକ-ତାପ-      ଛାୟା ଜ୍ଞାନୀମନେ

ହୁଏ ଯଥା କ୍ଷଣସ୍ଥାୟୀ ।

 

ଚାରୁ ଛାୟା ପଥେ            ଦିଶେ ଦ୍ୱିଖଣ୍ଡିତ

ବିଶାଳ ମାଳ ଗଗନ,

ଅନଳଜ(୧) କୃତ            ଶିଳା ସେତୁବନ୍ଧେ

ବଙ୍ଗ ସାଗର ଯେସନ ।

(୧) ନଇ ନାମକ ବାନର

 

ଏହିପରି ଦୃଶ୍ୟ            ଦେଖୁଁ ଦେଖୁଁ ଆସି

ଘାରିଲା ନିଦ୍ରା ନୟନେ,

ତହୁଁ ସ୍ୱପ୍ନଦେବୀ            ପ୍ରସାଦୁ ଦେଖିଲି

ଏସୁଖ ସ୍ୱପ୍ନ ବହନେ ।

 

ଆରୋହିଛି ମୁହିଁ            ଅନତ୍ରାତ ଦୃଷ୍ଟି

ଏକ ମହାଗରିବରେ,

ତା ସୁବର୍ଣ୍ଣ ଦେହୁ            ସ୍ଫୂରି ସ୍ୱର୍ଣ୍ଣ ପ୍ରଭା

ଚୌଦିଗେ ଉଜ୍ଜ୍ୱଳ କରେ ।

 

ଦେଉଳର ଦଧି            ନଉତି ପରାଏ

ସେଗିରେ ଚୂଡ଼ା ଚଟୁଳ,
ସ୍ୱର୍ଣ୍ଣ ଲତିକାଏ            ଧରିଛନ୍ତି ତହିଁ

ସ୍ୱର୍ଣ୍ଣମୟ ଫଳଫୁଲ ।

 

ସୁବର୍ଣ୍ଣ ହରିଣ            ଶମ୍ବର ଶାର୍ଦ୍ଦୁଳ

ବୁଲୁଛନ୍ତି ନିର୍ବିବାଦେ,

ସୁବର୍ଣ୍ଣ ବିହଙ୍ଗେ            ସୁବର୍ଣ୍ଣ ପାଦପେ

କ୍ରୀଡ଼ନ୍ତି ମହା ଆହ୍ଲାଦେ ।

 

ଶାନ୍ତି ପବିତ୍ରତା            ନିର୍ଜ୍ଜନତାରସେ

ଅଟେ ଚିର ପ୍ରିୟବାସ,

ମହକି ଉଠୁଛି            ଅନୁକ୍ଷଣ ତହିଁ

ଅମର୍ତ୍ତ୍ୟ ସ୍ନିଗ୍ଧ ସୁବାସ ।

 

ଗିରି ଶୋଭା ହେରି            ବୁଲି ବୁଲି ଥକି

ପଡ଼ିଲା ପାଦ ମୋହର,

ମାତ୍ର ନ ଥକିଣ            ନୟନ ପ୍ରତ୍ୟୁତ

ଅଧିକେ ହେଲା ପ୍ରଖର ।

 

ବୋଇଲା ନୟନ            ଭାତ୍ରୁ ସମ୍ବୋଧନେ

ଶୁଣ ଶୁଣ ଆରେ ପାଦ,

ଏ ପବିତ୍ର ଦେବ-            ଧାମ ପର୍ଯ୍ୟଟନେ

ନମଣ ତୁ ଅବସାଦ ।

 

ତୁଙ୍ଗ ଗିରି ଚୁଡ଼ା            କାନ୍ତାର କନ୍ଦରା

ଭ୍ରମିଅଛୁଁ କେତେ ସ୍ଥାନେ,

ଏ ସୁରମ୍ୟ ସ୍ଥାନ            ଦେଖିବାର ଥାଉ

ଶୁଣିଛୁକି କେବେ କାନେ ।

 

ଏସ୍ଥାନ ଭ୍ରମଣେ            ଲଭିବୁ ନିଶ୍ଚୟ

ଧର୍ମ ଅର୍ଥ ମୋକ୍ଷ କାମ,

ସାର୍ଥକ ହୋଇଲା            ଏତେକାଳେ ସିନା

ତୋହର ଚରଣ ନାମ ।

 

ନେତ୍ର ବଳପାଇ            ଦୁର୍ବଳ ଚରଣ

ହେଲାକ ତହୁଁ ପ୍ରବଳ,

ନିବିଘ୍ନରେ ବୁଲି            ଦେଖିଲେ ସେ ଶୈଳେ

ବହୁ ରମଣୀୟ ସ୍ଥଳ ।

 

ଦେଖିଲି ମୁଁ ଭ୍ରମୁ            ଭ୍ରମୁ ଏକ ସ୍ଥାନେ

ଅପୂର୍ବ ରତ୍ନ ବେଦିକା,

ସେ ବେଦି ସକାଶେ       ପାର୍ଥିବ ରତନ

ଦିଶିବ ବିଶେଷ ଫିକା ।

 

ଉପବିଷ୍ଟ ତହିଁ             ପରେ ପଦ୍ମାସନେ

ଭାସ୍ୱର ପୁରୁଷ ଏକ,

ଅମର ସେ ଦିଶେ            ମାତ୍ର ଧରିଛନ୍ତ

ଜଟିଳ ସନ୍ନ୍ୟାସୀ ଭେଦ ।

 

ପ୍ରସନ୍ନ ବଦନ            ପ୍ରସନ୍ନ ଦର୍ଶନ

ବେଷ୍ପିତ ମୟୁଗ ତାଳେ,

ତ୍ରିବଳୀ ଛନ୍ଦରେ            ଦୟା, କ୍ଷମା, ପ୍ରୀତି

ମୁଦ୍ରା ମୁଦ୍ରିତ କପାଳେ ।

 

ଦର୍ଶନ ମାତ୍ରକେ            ଭକ୍ତି ଜାତ ହେଲା

ପ୍ରଣମି ପୂତ ଚରଣେ;

କରଯୋଡ଼ି ଉଭା            ହୋଇ ପୁଛାକଲି

ବିନୟ ଧୀର ବଚନେ ।

 

ଭୋଦେବ ! ଏ କେଉଁ            ପୂଣ୍ୟପୀଠ ଏଥି

ନିବସନ୍ତି ଅବା କିଏ,

ନିଜ ପରିଚୟ            ସହିତେ କହନ୍ତୁ

କରୁଣା ବହି ଟିକିଏ ।

 

ଅଶାଷିଣ ମୋତେ            ପାର୍ଶ୍ୱେ ବସିବାକୁ

ଦେଇ ଶରେ ଅନୁମତି,

ସହାସ୍ୟ ବଦନେ            ମଧୁର ବଚନେ

ଭାଷିଲେ ଏସନ ଯତି ।

 

ଶୁଣ ବତ୍ସ ମୋର            ଆତ୍ମ ପରିଚୟ

ମହେନ୍ଦ୍ରଗିରି ମୋ ନାମ,

ମୋର ଅଧିଷ୍ଟାନ            ଏଶୈଳ ମହେନ୍ଦ୍ର

ବାଞ୍ଛିତ ଅମର ଧାମ ।

 

ଗଞ୍ଜାମ ମଣ୍ଡଳେ            ଗିରି ଚକ୍ରବର୍ତ୍ତୀ

ଅଟେ ରେ ବାଳୁତ ମୁହିଁ,

ପୂତ କଲେ ମୋତେ      ଜାନକୀ ଶ୍ରୀରାମ

ଲକ୍ଷ୍ମଣ ଚରଣେ ଛୁଇଁ ।

 

ଭାନୁବଂଶ ଭାନୁ            ପୁରନ୍ଦର ଜୟୀ

ରଘୁ ଦିଗ୍ବିଜୟ କାଳେ,

କରିଥିଲେ ସୈନ୍ୟ            ସହ ଅବସ୍ଥାନ

ଦିନତ୍ରୟ ମୋର ଆଳେ ।

 

ପାଞ୍ଚାଳୀ ସହତେ            ପାଣ୍ଡବେ ବିଳସି

ଯାଇଛନ୍ତି ମୋ ଶିଖରେ,

ସବୁ ଯୁଗେ ମୁହିଁ            ପାଇଥିଲି ପୂଜା

ଅପୂଜ୍ୟ କଳିକାଳରେ ।

 

ପୁରାଣ-ପ୍ରସିଦ୍ଧ            ମୋ ନାମ ଏକଥା

ଅବିଦିତ ନାହିଁ କାର,

ଭାଗ୍ୟ ଅବଳରୁ            ଏକାଳେ ସେ ନାମେ

ପଡ଼ୁନାହିଁ ଆହା ଗାର ।

 

ଶିଶୁ-ହିମାଳୟ            ସୌମ୍ୟ ମାଲ୍ୟଗିରି

ମେଘାସନ ମେଘାସନ,

ଆବର ଉତ୍କଳ            ଗିରିମାଳେ ମୋର

ଭ୍ରାତୃ ଜ୍ଞାତି ପରିଜନ ।

 

ଯୁଗଧର୍ମେ ଏବେ            ସେମାନଙ୍କ ସହ

ଘଟିଛି ମୋର ବିଚ୍ଛେଦ,

ଦୂରଦୃଷ୍ଟି ହେତୁ            ଭୁଞ୍ଜୁଅଛି ମୁହିଁ

ଦାରୁଣ ଶୋକ ନିର୍ବେଦ ।

 

ମାତ୍ର ଶୁଭ ଦିନ            ଆଜ, ଲାଗିଅଛି

ପୁନର୍ମ୍ମିଳନ ଉପାୟ,

ନିରାଶା ଅନ୍ଧାରେ            ଦିଶୁଅଛି ଆହା

ଆଶାଲୋକ କ୍ଷୀଣକାୟ ।

 

ଗଞ୍ଜାମ ଉତ୍କଳ୍ପ            ମିଳନାଭିପ୍ରାୟେ

ଗଞ୍ଜାମର ପୁତ୍ରଗଣ,

କରୁଛନ୍ତି ସର୍ବେ            ରାଜ ଦ୍ୱାରେ ମିଳି

ସାନୁନୟ ଆବେଦନ ।

 

ଏତେ କାଳ ପରେ            ଗଞ୍ଜାମ ପକ୍ଷରେ

ହେଲେ ବିଧି ଅନୁକୂଳ,

ଫେଡ଼ିବାକୁ ମାତୃ-            କଷଣ ତା ସୁତେ

ହୋଇଛନ୍ତି ଆଜି ଠୁଳ ।

 

ତାହାଙ୍କ ଅଭୀଷ୍ଟ            ସଫଳ ସକାଶେ

ଆସି ଏବିଜନ ସ୍ଥାନେ,

କରୁଥିଲି ମୁହିଁ            କାତର ପ୍ରାର୍ଥନା

ବିଶ୍ୱଭୂପ ସନ୍ନିଧାନେ ।

 

ସର୍ବୋଚ୍ଚ ଶୃଙ୍ଗରେ            ଲାଗିଅଛି ଆଜି

ମାତୃ-ପୂଜା ସାଡ଼ମ୍ବରେ

ଦେଖିବାକୁ            ଥିଲେ ଆସ ବତ୍ସ

ମୋହ ସହିତେ ସତ୍ୱରେ ।

 

ଏହା ଭାଷି ଗିରି            ଉଠିଲେ ଶିଖରେ

ଧରି ଧରି ଗଛେ ଗଛେ,

ଗୁରୁ ସଙ୍ଗେ ସଙ୍ଗେ            ଚେଲା ପ୍ରାୟ ମୁହିଁ

ଗୋଡ଼ାଇଲି ପଛେ ପଛେ ।

 

ଖଣ୍ଡେ ଦୂର ଯାଇ            ମିଳିଲୁଁ ଉଭୟେ

ବିଶାଳ ଅଧିତ୍ୟକାରେ,

ଅସମ୍ୟ ମାନବ            ରୁଣ୍ଡ ହୋଇଛନ୍ତି

ସେ ମାନବ-ପାରାବାରେ ।

 

ମଧ୍ୟସ୍ଥଳେ ତାର            ରତ୍ନ ସିଂହାସନେ

ବସିଛନ୍ତ ଏକ ପଦବୀ,

ମାଗୁଛନ୍ତି ବର            ବାନା ଉପଚାରେ

ସକଳେ ତାହାଙ୍କୁ ସେବି ।

 

ଏବଡ଼ ଅଦ୍ଭୂତ            ସିଂହାସନ ପରେ

ରହିଛି ଦେବୀଙ୍କ ଶିର,

କେଜାଣି କି ପାଇଁ            ହୋଇଛି ବିଚ୍ୟୁତ

ମସ୍ତକୁ ଦିବ୍ୟ ଶରୀର ।

 

ଛାୟା ପ୍ରସ୍ଫୁଟିତ            କମଳ ପରାଏ

ଦିଶୁଅଛି ମୁଖ ଫିକା,

ଗଞ୍ଜବ-ଗଞ୍ଜବ            ନୟନ ଯୁଗଳୁ

ଝରୁଛି ଅଶ୍ରୁ କଣିକା ।

 

କହିଲେ ମହେନ୍ଦ୍ର            ଏହି ଦେବୀ ବତ୍ସ

ଅଟନ୍ତି ଗଞ୍ଜାମ ମାତା,

ଉପବିଷ୍ଟ ତଳେ            କୁମର ତାଙ୍କର

ଏଣୁ ପରସ୍ପରେ ଭ୍ରାତା ।

 

କୁଞ୍ଜ କାନିରେ ଯେ            ପୋଛି ଦେଉଛନ୍ତି

ଜନନୀ ନୟନୁ ଲୁହ,

ଅଟନ୍ତି ସେ କୃତୀ            ସୁରଙ୍ଗୀ ନୃପତି

ଜନନୀର ଯୋଗ୍ୟ ପୁଅ ।

 

ପାର୍ଶ୍ୱଦେଶେ ବସି            କରୁଛନ୍ତି ଯେହୁ

ଆନନେ ବାରି ସେଚନ,

ସେ ସିନା ଅଟନ୍ତି            ଗଜପତି ରାଏ

ଖେମଣ୍ଡି-ଖଣ୍ଡ-ମଣ୍ଡନ ।

 

ବାମ ପାଶେ ଯେହୁ            ପଟ୍ଟୁ ଉତ୍ତରୀୟେ

ପୋଛି ଦେଉଛନ୍ତି ଝାଳ,

ୠଷିକୁଲ୍ୟା ତୀର            ବିହାରୀ ସେବାର

ଧରାକୋଟ ମହୀପାଳ ।

 

କୁସୁମ ବ୍ୟଜନେ            ବିଞ୍ଚୁଛନ୍ତି ଯେହୁ

ବସିଣ ଜନନୀ କରି,

ମାତୃଭକ୍ତ ସେହି            ଅଟନ୍ତିରେ ବତ୍ସ

ଚିକିଟି-ଧରଣୀପତି ।

 

ଯୋଡ଼ିବା ପାଇଁ ଯେ      ପଟ୍ଟି ଧରିଛନ୍ତି

ଜନନୀ ଶରୀରେ ଶିର,

ଅଟନ୍ତି ସେ ବିଜ୍ଞ            ବୁଦ୍ଧ ନରପତି

ମଞ୍ଜୁଷା-ନଭଃ ମିହୀର ।

 

କରୁଛନ୍ତି ମାତୃ            ଦୁଃଖେ ହାହାକାର

ଏହି ଯେଉଁ ଯୁବାମଣି,

ମଞ୍ଜୁଷାର ଭାବୀ            ଭାଗ୍ୟ ବିଧାତାସେ

ସୌଜନ୍ୟ-ସଦ୍ଗୁଣ-ଖଣି ।

 

ସ୍ଥବୀର ବୟସେ            ଆସିଛନ୍ତି କଷ୍ଟେ

ମାତୃପାଦ ପୂଜାପାଇଁ,

ଦେଶ ଦୁଃଖେ ଯାଙ୍କ            ହୃଦୟ ତରଳେ

ଏକ ସେ ତରଳାସାଇଁ ।

 

ସେରଗଡ଼ ରାଏ            ବରଗଡ଼ ରାଏ

ଆସ୍ୱୀନ ଦେବୀ ସନ୍ନିଧି,

ପୁଣି କେତେ ରାଜା            ଆସି ନପାରିଣ

ପେଷିଛନ୍ତି ପ୍ରତିନିଧି ।

 

ଦେଖୁଅଛ ଆଉ            ଯେତେ ଜନସଙ୍ଘ

ସେ ସର୍ବେ ଗଞ୍ଜାମ ବାସୀ,

ଗଞ୍ଜାମ ଜିଲ୍ଲାର            ପ୍ରତ୍ୟେକ କେନ୍ଦ୍ରରୁ

ଠୁଳ ହୋଇଛନ୍ତି ଆସି ।

 

କେତେକ ଅଛନ୍ତି            ବିଶ୍ୱ ବିଦ୍ୟାଳୟ

ଉଚ୍ଚ ଉପାଧି ମଣ୍ଡିତ,

କେତେ ଅପାଠୁଆ            ମଧ୍ୟମ ପାଠୁଆ

ବଣିକ ଶିଳ୍ପ-ପଣ୍ଡିତ ।

 

ସଭିଙ୍କ ହୃଦୟେ            ସମାନେ ଭେଦିଛି

ଜନନୀ ଦୁଃଖ କୁଠାର,

ତେଣୁ ଏକ ପ୍ରାଣେ            ଠିଆ ହୋଇସର୍ବେ

ଲୋଡ଼ୁଛନ୍ତି ପ୍ରତୀକାର ।

 

ଏଥୁଅନନ୍ତରେ            ଗଞ୍ଜାମ ଜନନୀ

ମଧୁର ମୃଦୁ ବଚନେ,

ସମ୍ବୋଧି କହିଲେ            ଶୁଣ ଶୁଣ ମୋର

ରାଜନ୍ୟ କୁମର ଗଣେ ।

 

ସେ ସୁଖ ଦିବସ            ନାହିଁ ମୋର ଆହା

ଯାଇଛି ତା ଚାଲିସିନା,

ଭଞ୍ଜ କବିସୂର୍ଯ୍ୟ            ଗାଉଥିଲେ ଯେବେ

ସାରସ୍ୱତ କୁଞ୍ଜେ ବୀଣା ।

 

ସୁକବି ଜନନୀ            ବୋଲି ଆଦ୍ୟାବଧି

କହୁଛନ୍ତି ସର୍ବେ ମୋତେ,

ପଡ଼ିଛି କୁସୁମ            ଭାସି ଗଲାଣିତ

ଗନ୍ଧ ତାର ବାତ-ସ୍ରୋତେ ।

 

ସେକାଳର ଆଶା            ସେକାଳର ଭାଷା

ହୋଇଛି ସକଳ ଗତ,

ଏକାଳେ ମୋସଖୀ            ତୁମ୍ଭ ମାତୃଭାଷା

ହୋଇଛି କ୍ଷତ ବିକ୍ଷତ ।

 

ଦେଖୁଛତ ସର୍ବେ            ସାକ୍ଷାତେ ମୋହର

ନିଦାରୁଣ ଦୁର୍ବିପାକ,

ଦୂରଦୁଷ୍ଟି ମୋତେ            କରୁଛିତ ସଦା

ବିଚ୍ଛେଦ-ଅନଳେ ପାକ ।

 

ଆଉ ଆନ ମୁହିଁ            ଶରୀର ବିହୀନ

କି କାର୍ଯ୍ୟ ଆରିକି କଲି,

ଭାଗ୍ୟତ ଭଗାରୀ            ଦେଲା ମୋତେ ସାରି

ହେବି ବା ଠିଆ କିପରି ।

 

ମୋହଠାରୁ ବଳି            ଭୁଞ୍ଜୁଛନ୍ତି ମୋର

କୁମରେ କଷ୍ଟ ଦୁର୍ଭାର,

କୌଣସି କାର୍ଯ୍ୟରେ            ନାହିଁ ତାହାଙ୍କର

କିଛି ମାତ୍ର ଅଧିକାର ।

 

ଯୋଗ୍ୟ ହେଲେ ସୁଦ୍ଧା      ସେମାନଙ୍କ ପାଇଁ

ନ ଫିଟାନ୍ତି କେହି ତୁଣ୍ଡ,

ଅଝାଇ ପାଦପ            ତଳେ ଚାରା ଗଛ

କାହୁଁବା ଟେକିବ ମୁଣ୍ଡ ।

 

ପାଞ୍ଚଜଣ ମଧ୍ୟେ            ଜଣେ ହୋଇସେହୁ

ହୋଇ ନ ପାରନ୍ତି ଠିଆ,

ଏ ଦୁଃଖ-କୁଳିଶ            ବାଜି ସଦା ମୋର

ହେଉଛି ବିଦୀର୍ଣ୍ଣ ହିଆ ।

 

ଆତ୍ମ ଦୁଃଖ, ପୁତ୍ର-            ଦୁଃଖ ମୋତେସଦା

କରିଅଛି ମ୍ରିୟମାଣ,

ରବିତାପ, ଅଗ୍ନି-            ତାପ ମଧ୍ୟେଁ ନାହିଁ

ମୋପାଇଁ ତୃତୀୟ ସ୍ଥାନ ।

 

ତୁମ୍ଭେମାନେ ମୋର            ବିପଦ ସ୍ୱହାୟ

ଚାହିଁଥିଲି ତବ ମୁଖେ,

ସେବାରେ ସକଳେ            ତୁଷ୍ଟ କଲ ମାତ୍ର

ସଢ଼ୁଅଛି ରୋଗେ ଦୁଃଖେ ।

 

କରୁଛ ଚିକିତ୍ସା            ସତ୍ୟ, ମାତ୍ରତାହା

କ୍ଷୀପ୍ର ହସ୍ତେ କର କର,

ବିଳମ୍ବ ଘଟିଲେ            ଜୀବନ ନାଟିକା

ଯିବଟି ଛାଡ଼ି ମୋହର ।

 

ତନ୍ନ ତନ୍ନ କରି            ଜଣାଅ ମୋପୀଡ଼ା

ରାଜ ପ୍ରତିନିଧି କତି,

ସୁବୈଦ୍ୟ ରୂପରେ            ବିହିବେ ଔଷଧ

ଅବଶ୍ୟ ସେ ମହାମତି ।

 

ପତତି ଜାତିର            ପକ୍ଷପାତୀ ହେବା

ଉନ୍ନତ ଜାତି ଲକ୍ଷଣ,

ବୁଝିଲେ ମୋ ଦୁଃଖ            ନିଶ୍ଚେ ତାଙ୍କ ହୃଦ

ହେବ କରୁଣା-ପ୍ରବଣ ।

 

କେବଳ ମୋଦୁଃଖ            ରାଜଦ୍ୱାରେ ଗାଇ

ନହୁଅ ବାବୁ ନୀରବ,

ପାଳିବାକୁ ଅଛି            ତୁମ୍ଭରି ସକାଶେ

ତୁମ୍ଭର ବହୁକର୍ତ୍ତବ୍ୟ ।

 

ଭାଇ ଭାଇ ମନ            ମିଶାଇ ପାରିଲେ

ବଳେ ମିଶିଯିବ ଦେଶ,

ସେଥିଲାଗି ବସି            ଭାବନା ନକରି

କର୍ତ୍ତବ୍ୟେ ଲାଗ ନରେଶ ।

 

ତୁମ୍ଭର ଏକତା            ମାତୃ ଭକ୍ତି ଦେଖି

ହୋଇଛି ମୁଁ ଆଶାନ୍ୱିତ,

କରୁଥାଅ କାର୍ଯ୍ୟ            ସେ ଭାବକୁ ଦୃଢ଼େ

ହୃଦୟେ ରଖି ଜୀବିତ ।

 

ରଖିଥିବ ମନେ            ସବୁବେଳେ ବାପା

ସଂହରି କାର୍ଯ୍ୟ ସାଧିକା

ସଂହତି-ବଜାରେ            ସକଳ ଉନ୍ନତି

ବିନା ପଣେ ହୁଏ ବିକା ।

 

ଶିକ୍ଷା ଉନ୍ନତିର            ପ୍ରଧାନ ସହାୟ

ରଖି ସେଥି ପ୍ରତି ଦୃଷ୍ଟି,

କୃଷିକ୍ଷେତ୍ର ପରି            ଗ୍ରାମେ ଗ୍ରାମେ କର

ବହୁ ବିଦ୍ୟାଳୟ ସୃଷ୍ଟି ।

 

ସହସ୍ର ଚେଷ୍ଟାରେ            ଘୁଞ୍ଚି ନପାରଇ

ଦେଶର ଯେ କୁସଂସ୍କାର;

ଶିକ୍ଷା ପ୍ରଭାବରେ            କରେସିନା ସେହୁ

ନିଜକୁ ନିଜେ ସିଂହାର ।

 

ଜାତୀୟ ସାହିତ୍ୟ            ଜାତିର ଜୀବନ

ବଳ ଗୌରବ ସମ୍ପଦ,

ଅବିଦ୍ୟା-କୁଜଙ୍ଗୀ-            କାଳକୁଟକୁ ସେ

ପରଶୁକେଦାର ଗବ ।

 

ନୈତିକ ସାହସ            ଆତ୍ମ ନିର୍ଭରତା

ସାହିତ୍ୟରୁ ହୁଏ ଜାତ,

ଆବାଳ୍ପରୁ ପୋଷେ            ମାତୃଭାଷା ସେହୁ

ମାନବର ଜାତ ମାତ ।

 

ମାର୍ଜିତ ରୁଚିରେ            ମାର୍ଜିତ ଭାଷାରେ

ଲେଖାଅ ନବ ସାହିତ୍ୟ,

ମୁଦ୍ରିତ କରାଇ            କର ପ୍ରଚାରିତ

ପ୍ରାଚୀନ କାବ୍ୟ ସଙ୍ଗୀତ ।

 

ସୁପ୍ରତିଭା ଶାଳୀ            ମୃତ ବ୍ୟକ୍ତିଙ୍କର

ପ୍ରତିଭାକୁ ପୂଜା କର,

ଆନର ପ୍ରତିଭା            ପୂଜା କଲେ ସିନା

ବଢ଼େ ପ୍ରତିଭା ନିଜର ।

 

କୃଷି ଶିଳ୍ପାଦିର            ଲୁପ୍ତ ଗଉରବ

ସମୁଦ୍ଧାରେ ହୁଅ ବ୍ରତୀ,

ଆପେ ଆପଣାକୁ            କରିବ ପ୍ରସ୍ତୁତ

ଜଣେ ଜଣେ କର୍ମ ଯତି ।

 

ତୁମ୍ଭରି ପୂରୁବ            ପୁରୁଷେ ଚଳାଇ

ସାଗର ଗର୍ଭେ ସୁଲୁପ୍ତ, (୧)

ବାଣିଜ୍ୟ ଉନ୍ନତି            ସାଧି ରଚିଥିଲେ

ସଂସାର ବୀରଳ ଯୁଗ ।

(୧) ଗଞ୍ଜାମର କେତେଜଣ ପୂର୍ବତନ ରାଜା ଓ ଧନୀ ବ୍ୟକ୍ତିମାନେ ଏକତ୍ରରେ ଜାହାଜ ଚଳାଉଥିଲେ । ସୋନପୁର ସେ ସମୟରେ ବନ୍ଦର ଥିଲା ।

 

ଗ୍ରାମେ ଗ୍ରାମେ ଗ୍ରାସ-            ସମିତି ବସାଅ

ଲାଗୁ ଅତ୍ମୋନ୍ନତି ଚର୍ଚ୍ଚା,

ବିଦେଶକୁ ଛାତ୍ର            ପଠାଇ ପଢ଼ାଅ

ଦେଇ ଯଥା ଶକ୍ତି ଖର୍ଚ୍ଚା ।

 

ମୋପାଇଁ କିଞ୍ଚିତ            ସ୍ୱାର୍ଥ ତ୍ୟାଗ କରି

କାର୍ଯ୍ୟରେ ଲାଗ ଲଗାଅ,

ପୂର୍ବ ପୁରୁଷଙ୍କ            କୀର୍ତ୍ତି-କର୍ମ-ଗାଥେ

ବିରତି ସଙ୍ଗୀତ ଗାଅ ।

 

ଜପକର ସଦା            ଜନ୍ମଭୂମି ନାମ

ତାରକ-ମନ୍ତ୍ରର ଜ୍ଞାନେ,

ସେହି ମନ୍ତ୍ର ପୁଣି            ଦିଅ ଗୁରୁରୂପେ

ଦେଶ ବାସୀଙ୍କର କାନେ ।

 

ଇତର ପକ୍ଷରେ            ଅନୁକରଣୀୟ

ପ୍ରଧାନଙ୍କ କାର୍ଯ୍ୟା ବଳୀ,

ତୁମ୍ଭ ଦେଖା ଦେଖି            ଅର୍ପିବେ ସମସ୍ତେ

ମାତୃପୀଠେ ସ୍ୱାର୍ଥ ବଳି ।

 

ତୁମ୍ଭେ ଯେଉଁ ପଥେ            ଚାଲିବ ସେପଥେ

ଚାଲିବେ ସକଳ ଜନେ,

ହେ ମୋ ରାଜସୁତେ            ଏହି କଥା ଏକ

ରଖି ଥିବ ସଦା ମନେ ।

 

ଆନ ସୁତଗଣେ            ବୁଝାଇ କହିବ

ମୋହର ଦୁଃଖ ଯନ୍ତ୍ରଣା,

ନିଶ୍ଚୟ ଲଭିବ            ସିଦ୍ଧି, ସର୍ବେମିଳି

କଲେ କର୍ମର ସାଧନା ।

 

ଯତ୍ନ ନିଷ୍ଠା ସହ            ଲାଗିଲେ ସକଳେ

ମୋହ ପାଇଁ ଏକମେଳେ,

ଅଦୂର ଭବିଷ୍ୟେ            ଶୋକ ତାପ ମୋର

ଦୂର ହେବ ଅବହେଳେ ।

 

ଅସାର ସଂସାରେ            ମାତୃସେବା ବ୍ରତ

ଅଟଇ ସାର କେବଳ,

ଏକାଧାରେ ତହୁଁ            ମିଳେ ସର୍ବଯଜ୍ଞ

ସର୍ବ ତପସ୍ୟାର ଫଳ ।

 

ମାତୃଭୂମି ସେବା            ସକାସେ ମାନବ

ହୋଇଛି ମର୍ତ୍ତ୍ୟେ ପ୍ରେରିତ,

କପୋଳ କଳ୍ପିତ            କଥା ନୁହେଁ ଏହା

ବେଦ ଶାସ୍ତ୍ରରେ ଲିଖିତ ।

 

ମାତୃଭୂମି-ମାତା            କଷ୍ଟ ଫେଡ଼ିବାକୁ

ନବଳାଏ ଯେହୁ ମନ,

ସେହି ମୃଢ଼ ସିନା            କରେ ବିଶ୍ୱପିତା

ପବିତ୍ର ଆଜ୍ଞା ଲଙ୍ଘନ ।

 

ମାତୃ ଦୁଃଖ ଦେଖି            ନ ଦେଖିଲା ପରି

ରହେ ଯେବଣ ପାଷଣ୍ଡ,

ଇହପୂର୍ବ ଜନ୍ମ            ସୁକୃତି ତାହାର

ହୋଇଯାଏ ସବୁ ପଣ୍ଡ ।

 

ଥରେ ହେଲେ ସୁଦ୍ଧା            ଜନନୀ ସେବାରେ

ଲାଗିନାହିଁ ଯାର ହସ୍ତ,

ହସ୍ତ ନୁହେଁ ତାହା,            ଅସାର ଅସଡ଼

ଅଡ଼ ଚିଣା କାଠ ସତ ।

 

ମୋ ଅଙ୍ଗ ସଂଯୋଗ      ପାଇଁ ରାଜପଦେ

କର ନମ୍ରେ ନିବେଦନ,

କେବେ ହେଲେ ଦିନେ      ଟଳିବ ତାଙ୍କର

ନିଶ୍ଚେ କୃପା ସିଂହାସନ ।

 

ମହୀରେ ଆଦର୍ଶ            ତାଙ୍କ ରାଜନୀତି

ଦୁର୍ବଳର ପକ୍ଷପାତୀ,

ବଙ୍ଗ ସଂଯୋଗରୁ            ଅଧିକ ବଢ଼ିଛି

ସେ ରାଜନୀତି ସୁଖ୍ୟାତି ।

 

ଭଗ୍ନ ବଙ୍ଗ ଭୂମି            ସନ୍ତାପ ନାଶିଲେ

ଯେଉଁ କୃପା-ଅକୃପାର,

ସେ ରାଜ ରାଜେଶ            କରିବେ ଦୁର୍ଭାର

ସଙ୍କଟୁ ମୋତେ ଉଦ୍ଧାର ।

 

ସେ ଭାଗ୍ୟ-ବିନ୍ଧାଣି            ତୋଳିଦେବେ ମୋର

ଶୁଭାଦୃଷ୍ଟ ଦେବାଳୟ,

ଦିନା ଭିଖାରିଣୀ-            ପ୍ରତି ଇଷ୍ଟ ଭିକ୍ଷା

ବହିବେ ସେହୁ ନିଶ୍ଚୟ ।

 

ଯେତେ ଦିନ ଯାଏଁ            ମୋଅଙ୍ଗ ସଂଯୋଗ

ନହେବ ହେ ବାପ ଧନ,

ତଦବଧି ତାଙ୍କ            ପଦେ କରୁଥାଅ

ସବିନୟ ନିବେଦନ ।

 

ଆବର କଥାଏ            ପାଳିବ ମୋହର

କର ସର୍ବ ସୂତେ ପଣ,

ଏପୁଣ୍ୟ ଦିବସେ            ଠୁଳ ହୋଇ ଏଥି

କରୁଛ ମାତୃ ପୂଜନ ।

 

ଏଦିନକୁ ପର୍ବ-            ଦିନରୂପେ ପାତି

ପ୍ରତିବର୍ଷ ଉପବାସ,

କରୁଥିବ ସର୍ବେ            ଯାବତ ମୋ

ହୋଇନାହିଁ ପୂର୍ଣ୍ଣଆଶ ।

 

ମାତାଙ୍କ ଶ୍ରୀମୁଖୁ            ଏ ଆଦେଶ ବି

ବାହାରିବା ମାତ୍ରେ ସର୍ବେ,

ପୂର୍ଣ୍ଣ କଲେ ସର୍ବେ            କରତାଳି ସହ

ତଥାସ୍ତୁ ତଥାସ୍ତୁ ରବେ ।

 

ଜୟ ଜନ୍ମ ଭୂମି            ଜୟ ଜନ୍ମ ଭୂମି

ଉଚ୍ଚାରିଣ ବାରମ୍ବାର,

କି ରାଜା କି ପ୍ରଜା             ମାତୃ ପାଦ ପଦ୍ମେ

ସାଷ୍ଟାଙ୍ଗେ କଲେ ଜୁହାର ।

 

ନଭେଥାଇ ଦେବେ            ଦୁନ୍ଦୂଭି ବଜାଇ

କଲେ ପୁଷ୍ପ ବରଷଣ,

ସଭା ଭାଙ୍ଗି ସର୍ବେ            ନିଜସ୍ଥାନେ ଗଲେ

ଭାଙ୍ଗିଗଲା ମୋ ସ୍ୱପନ ।

 

ସମାପ୍ତ ।