ଗୀତ ଗାଇ ଯାଉଥା’

ବାସୁଦେବ ମହାପାତ୍ର

 

ଲଢ଼େଇ କି ଲାଗିଛି ?

ସେନା ଧାଡ଼ି ଲମ୍ୱିଛି,

ବନ୍ଧୁକ ନୁହେଁ, ବସ୍ତାନି

ପିଠି ପରେ ଝୁଲୁଛି ।

 

ଏତେ ବଡ଼ ବସ୍ତାନି
            ଉଠାଇ ତ ହେଉନି,
ବହି ବୋଝ ବୋହି ବୋହି
            ଶିଖିବାଟା ହେଲାନି ।

 

ମାଆ ହାତ ଧରିଛି,
            ଟିକି ପିଲା ଧାଉଁଛି ,
ଉଛୁର ହେଉଛି ବେଳ,
            ଘଣ୍ଟା ଶୁଣାଯାଉଛି ।

 

ଦିନି ରାତି କେବଳ
            ମାଆବାପା ପାଗଳ,
"ପାଠ ପଢ଼, ପାଠ ପଢ଼
            ଘୋଷା ହେଲା ପ୍ରବଳ ।

 

ବିଦ୍ୟାଳୟ ପାଠରେ
            ମନ ଛଟପଟରେ,
ସରସ ମନ କେମିତି
            ହେବ ଏଇ ବାଟରେ !

 

ଦୂର ଦରଶନରେ
            ରହେ ସଦା ମନରେ,
ଫୁରୁସତ୍ ପାଇଗଲେ
            ମନ ଛନଛନରେ ।

 

ପାଠପଢ଼ା ସରିଲା,
            ଚାକିରୀଟେ ଯୁଟିଲା,
ପଢ଼ାପାଠରୁ ଗୋଟାଏ
            କାମରେ ନ ଆସିଲା ।

 

ନଈପଠା ଖେଳରେ
            ନିତି ସଞ୍ଜ ବେଳରେ
ସାଙ୍ଗସାଥି ମେଳ କଥା
            ସପନ ଏ କାଳରେ ।

 

ବାଳକାଳ ପରା ରେ,
            ଖେଳକୁଦେ ଭରାରେ,
ହାଲୁକା ହେଉ ଏ ବୋଝ
            ପିଲା ପାଠପଢ଼ାରେ ।

 

ଗୀତ ଗାଇ ଯାଉଥା',
            କଥା ଶିଖି ଚାଲିଥା',
ଗୀତ ଗାଇ କଥା ଶିଖି
            ଭଲ ପିଲା ହୋଇଥା' ।

 

ଜହ୍ନମାମୁଁ

ଆସ, ଜହ୍ନମାମୁଁ,            ସରଗ ଶଶୀ,
ଆମ ମୁନା ହାତେ      ପଡ଼ରେ ଖସି ।

ମୁନାକୁ ଆମର            ନେବ ବୁଲେଇ,
ଖାଇବାକୁ ଦେବ            ରସ ମଲେଇ ।

ପିଇବାକୁ ଦେବ             ନବାତ ପଣା,
ମୁଣାରେ ଭରିବ             ସରଗ ଚଣା ।

ଏ ପୁରରେ ଆମେ କରିଛୁ ଘର,
ସବୁ ଲୋକଙ୍କର             ମାଆ ଏ ପୁର ।

ମାଟି ମାଆଙ୍କର             ଗୋଟିଏ ଭାଇ,
ଜହ୍ନମାମୁଁ ତୁମେ             ସେଇଥି ପାଇଁ ।

ସବୁ ପିଲାଙ୍କର             ମାମୁଁଟି ତୁମେ
ପାଖକୁ ଆସିବ             ଡାକିଲେ ଆମେ ।

 

ମାଛରଙ୍କା କିଆଁ ନାଆଁ ତା'ର ?

ନ ଖାଇ କାହାରି
                  ସବୁରି ବଇରି,
ଅଛି ଏ ଜଗତେ
                   ଜୀବଟିଏ,

ପାଣିରେ ତା' ଘର,
                        ପାଣିରେ ଆହାର,
ମନେ ରଖ, ପିଲେ,
                  ମାଛ ସିଏ ।

 

ଚାହୁଁ ଚାହୁଁ କାହୁଁ
                  ଓଧଟାଏ ଆସି
ପୋଖରୀ ପାଣିରେ
             ପଶିଗଲା,

ଛଟପଟ ହେବା
                  ମାଛଟିଏ ତା'ର
ପାଟିରେ ଧରି ସେ
                  ବାହାରିଲା ।

 

ଟେକି ଗୋଡ଼ଟିଏ
                  ଅଳପ ପାଣିରେ
ଟାକି ବସିଥାଏ
            ବଗଟିଏ,

ଧିଆନ ତାହାର
                  ଋଷିଠାରୁ ବଳି,
ଦେଖିଲେ ମାଛକୁ
                  ଟେକି ନିଏ ।

 

ଭାଉଜ ଆମର
                  ଜୀଅନ୍ତା ଗଡ଼ିସା
ମାଛ ଛଅ ଗୋଟି
              ରଖିଥିଲେ,

ଡେକଚି ଉଠାଇ
                    ଦୁଇଟି ବିଲେଇ
ଚାରୋଟି ସେଥିରୁ
                  ଖାଇଗଲେ ।

 

ମୁନା ଆମ କାଲି
                  ସିମେଣ୍ଟ କୁଣ୍ଡରେ
ଛୋଟ ମାଛଟିଏ
                  ଛାଡ଼ିଥିଲା,

ଉପରକୁ ଉଠି
                        ଖେଳିବା ବେଳେ ସେ
କାଉଟାଏ ଆସି
                  ଝାମ୍ପି ନେଲା ।

 

କେଉଟ ଟୋକାଟା
                  ବନିସି ପକାଇ
ଧରିନିଏ ମାଛ
                  କି ବାଗରେ,

ଶୁକୁଟା କେଉଟ
                        ଜାଲ ପାତି କେତେ
ମାଛ ଧରି ବିକେ
                  ବଜାରରେ ।

 

ପକ୍ଷୀଟାଏ, ତା'ର
                   ନାଆଁ ମାଛରଙ୍କା,
ତଳମୁହାଁ ହୋଇ
             ଉଡୁଥାଏ,

ବିଜୁଳି ବେଗରେ
                  ପହଞ୍ଚି ପାଣିରୁ
ଝାମ୍ପି ନେଇଯାଏ
                  ମାଛଟାଏ ।

ମାଛ ପାଇଁ ରଙ୍କ
                  ମଣିଷ ସମେତ
ପଶୁପକ୍ଷୀ କେତେ
             ଜଗତର,

ବୁଝି ନ ହୁଅଇ
                  କାହାରି ନୋହିଲା
"ମାଛରଙ୍କା' କିଆଁ
                  ନାଆଁ ମୋର ?

 

 

ଅତି ହୋଇଗଲେ ଇତି ହୁଏ

ଆଖୁ କିଆରୀରେ
                   ପଶି ଭାଲୁଟିଏ
ମନ ଭରି ଆଖୁ
                  ଖାଉଥାଏ,
ଦିନେ ମାଡ଼ ଖାଇ
                   ଘାଇଲା ହୋଇଲା,
ଅତି ହୋଇଗଲେ
                  ଇତି ହୁଏ ।

 

ଶିକାରୀ ଚିଲର
            ବଢ଼ିଲା ସାହସ,
ଶିକାରୀକୁ ନିତି
                  ଝାମ୍ପି ନିଏ,
ଦିନେ କଙ୍କଡ଼ା ତା'
                  ବେକକୁ ଚିପିଲା,
ଛଟପଟ ହୋଇ
            ପ୍ରାଣ ଯାଏ ।

 

ନଈ ପହଁରାରେ
                        ତାହା ଭଳି ସିଏ,
ପଶିଲା ବିଶିଆ
                    ବଢ଼ିବେଳେ,
ଭଉଁରୀ ଭିତରେ
                        କାହିଁ ହଜିଗଲା,
ଅତି ହୋଇଗଲେ
                        ଇତି ହୁଏ ।

 

ଲୋକଗହଳିରେ
                        ଟେକି ଦୁଇ ହାତ
ଚଳାଏ ସାଇକଲ୍
                    ଟୋକାଟାଏ,
ବେଖାତିର ଅତି,
                        ଦିନେ ବସ୍ ଚକା
ତଳେ ଚାପି ହୋଇ
                        ପ୍ରାଣ ଯାଏ ।

 

ସର୍କସ୍‌ ଖେଳରେ
                        ବାଘର ପାଟିରେ
ମୁଣ୍ଡ ମାରି ନିଏ
                    ବାହାଦୂରୀ,
ଦିନେ ବାଘ ତା'ର
                        ପାଟି ଚାପି ଦେଲା,
ଅତି ହେତୁ ଲୋକ
                  ଗଲା ମରି ।

 

କୁସଙ୍ଗରେ ପଡ଼ି
                  ଭଲ ବାଟ ହୁଡ଼ି
ଗୁଟୁକା ପୁଡ଼ିଆ
                  ଖାଉଥିଲା,
ବୟସ ସହିତ
                  ବଢ଼ି ଦୁରଭ୍ୟାସ
କର୍କଟ ରୋଗରେ
                  ମରିଗଲା ।

 

ହୋଲିଖେଳ ବେଳେ
                  ସାଥିସାଙ୍ଗ ମେଳେ
ଭୋଳ ହୋଇ ଭୋଳା
                  କି ନ କଲା ?


ସାଙ୍ଗର ମୁହଁରେ
                  ବୋଳିଲା କି ରଙ୍ଗ,
ଆଖିଟା ସାଙ୍ଗର
                  ନଷ୍ଟ ହେଲା ।

 

ଦୁଇ ଦଳ ଲୋକ
                  କଥାରୁ ବଚସା,
ବଚସାରୁ କଳି
                  ଜାତ ହେଲା,
କ୍ରୋଧ ବଢ଼ିଗଲା,
                  ହାତ ହତିଆର
ଲାଗି ଜଣକର
                  ପ୍ରାଣ ଗଲା ।

ସାଥି ପିଲାଙ୍କର
                  ମୁଣିର ରବର
କଲମ ଚୋରାଏ
                  ପିଲାଟିଏ,
ବୟସ ସହିତ
                  ବଢ଼ି ବଦମାସି
ବଡ଼ ଚୋର ରୂପେ
                  ଜେଲ୍ ଯାଏ ।

 

ନିତି ଚକଲେଟ୍,
                  ରାସ୍ତା ପରେ ଚାଟ୍,
ତେଲଛଣା ଚିଜ୍
                  ଖାଉଥିଲା,
ପେଟ ବେମାରିରେ
                  ଛଟପଟ ନଟ,
ଡାକ୍ତର ସେସବୁ
                  ମନା କଲା ।

 

ପର ଦୁଃଖେ ଦୁଃଖୀ,
                  ପର ସୁଖେ ସୁଖୀ,
ସରଳ ଜୀବନ
                  ଯାପେ ଯିଏ,
ରଖି ସମଭାବ
                    ସଂସାରେ ସୁଖୀ ସେ,
ଅତି ହୋଇଗଲେ
                  ଇତି ହୁଏ ।

 

ଅତି ସେନେହ ତ
                  ଭାଙ୍ଗିଯାଏ, ପୁଣି
ଅତି ମଧୁର ଯା'
                  ପୋକ ଖାଏ,
ଏ ନୀତି ବଚନ
                  ମାନି ଚଳୁଥିବ,
ଅତି ହୋଇଗଲେ
                  ଇତି ହୁଏ ।

 

ଗଛବୁରୁଛ ଦିଅ ଲଗାଇ

ପୁଅ ଆଖି ଲୁହ ପଣତେ            ପୋଛି କହୁଛି ମାଆ,
"କହ, ଧନ, ତୋର କି ହେଲା,      ଲୁହ ଗଡ଼ାଉ କିଆଁ ?"
ପୁଅ କହେ, "ମାଆ ଆଜି ଲୋ,      ବାପା ପଡ଼ନ୍ତି ମନେ,
ସୁରଥ ସହରେ ମରିଲେ,            କହ, କେଉଁ କାରଣେ ?"

ପୁଅ ମୁହଁ ଚୁମି କହଇ             ମାଆ, "ମୋ ଦୁଃଖୀଧନ,
ତୁ ମୋ ଏକୋଇର ବଳା ରେ,      ବାପ, ବିଶିକେଶନ ।"
ସୁରଥ ସହର ନୁହଇ,            ଗାଆଁ ବସତି ପରି,
କଳକାରଖାନା ହଜାର             ଯହିଁ ରହିଛି ପୂରି ।

ମାଳ ମାଳ ଗାଡି ଲମ୍ୱିଛି,            ଦିନ ରାତି ରାସ୍ତାରେ,
ଧୂଳି ଧୂଆଁ ଉଠି କୁହୁଡ଼ି             ଭଳି ଦିଶେ ସେଠାରେ ।
ଯହିଁ ଦେଖ କୋଠା, କୁଡ଼ିଆ,       ଲକ୍ଷ ଲକ୍ଷ ମଣିଷ ।
ରୁନ୍ଧି ଲାଗେ ସେଠି ପବନେ       ଭରି ରହିଛି ବିଷ ।

ଏହି କାରଣରୁ, ପୁଅ'ରେ,       ଜାଣ, ବାପାକୁ ତୋ'ର
ମାରାତ୍ମକ ରୋଗ ଧରିଲା,      ଛାଡ଼ି ଗଲେ ସଂସାର ।
ପାଠୁଆ ମଣିଷେ କହନ୍ତି,             ଯଦି ବଞ୍ଚିବ, ଭାଇ,
ଚାରିଆ ଡ଼େ ଗଛବୁରୁଛ             ବେଗେ ଦିଅ ଲଗାଇ ।

 

ନାନୀ ଆଜି ପାଶେ ନାହିଁ

ଦିନେ ପୁଅ ଆସି       ମାଆ ପାଶେ ବସି
କାନ୍ଦୁଥାଏ କଇଁ କଇଁ,
କହିଲା, "ମାଆ ଲୋ,       କୁଆଁର ପୁନିଅ,
ନାନୀ ଆଜି ପାଶେ ନାହିଁ ।

 

ପିନ୍ଧିବି ନାହିଁ ମୁଁ             ନୂଆ ଜାମା ଜମା,
ନ କହିବୁ ଯଦି ମୋତେ,
ଝାଡ଼ାବାନ୍ତି କିଆଁ             ନାନୀକୁ ମୋ ହେଲା,
ଛାଡ଼ି ଚାଲିଗଲା ସତେ ।"

 

ମାଆ କହେ, "ଧନ,       ସେଥିର କାରଣ
ଖୋଲି କହୁଅଛି ମୁହିଁ,
ନାନୀ ମଲା ଦିନ       ଡାକତର ବାବୁ
ଯାଇଥିଲେ ଯାହା କହି ।

 

ଗାଆଁ ନଈକୂଳେ,       ପୋଖରୀ ହିଡ଼ରେ
ଫେରୁଛନ୍ତି ଲୋକେ ଝାଡ଼ା,
ଗାଧୁଆ, ଶଉଚ,       ଆଉ ଧୋବାତୁଠ
ପାଣିରେ ତା' ହୁଏ ପରା ।

 

ନ ଜାଣି ସେ ପାଣି       ପିଅନ୍ତି, ଯହିଁରେ
ରୋଗର ଜୀବାଣୁ ଥାଏ,
ଝାଡ଼ାବାନ୍ତି ହୋଇ       ମଣିଷ ବିଚରା
ତାହା ଯୋଗୁଁ ମରିଯାଏ ।

 

ଆମେ ବୁଝୁନାହୁଁ       ଆମ ପରିବେଶ
ଆମେ ହିଁ କରୁ ଦୂଷିତ,
ନିଜ ହାତେ ନିଜ            ଜିଭ କାଟି ଦେଇ
କପାଳରେ ଦେଉ ହାତ ।

 

ଘରେ ଘରେ ଏବେ       ଗାଆଁ ଲୋକମାନେ
କଲେଣିରେ ପାଇଖାନା,
ବାଟେ, ପାଣି ଘାଟେ       ଝାଡ଼ା ଫେରିବାକୁ
ହୋଇଲାଣି ପୂରା ମନା ।

 

ଆମ ପରିବେଶ             ଜୀବନ ଆମର,
ତାକୁ ରଖି ନିରିମଳ
ଦୁନିଆର ଭଲ             ସହ ନିଜ ଭଲ
କରୁଥିବା ସବୁ କାଳ ।''

 

ପୋଛିବ ମାଆର ଲୁହ

ନଈକୂଳେ ବସି             କିଏ ସେ ମାଉସୀ
ଆଖିରୁ ଝରାଏ ଲୁହ,
ନ ପାହୁଣୁ ରାତି             ଏକାକିନୀ ହୋଇ
କାନ୍ଦୁଛି କିପାଇଁ, କହ ।

 

ପୁଅ, ପତି ତା'ର             ଛାଡ଼ିଗଲେ, ଅବା
ପେଟକୁ ନାହିଁ ଆହାର,
ମୂରୁଛିବା ପାଇଁ             ଅଲୋଡ଼ା ଜୀବନ
କରୁଛି କିବା ବିଚାର ?

 

ଏ କାଳେ ସାଧୁଏ             ଗାଧୋଇ ନଦୀରେ
ପାରୁଶେ ତା' ହେଲେ ଠିଆ,
ପଚାରିଲେ ତା'ରେ,             "କି ହେଲା ତୁମର,
କହିବ କି ମୋତେ, ମାଆ ?"

 

କହିଲା ସେ ନାରୀ,             "ନ ପାରୁ କି ଚିହ୍ନି,
ମୁଁ ପରା ସବୁରି ମାଆ,
ଆସିଥିଲି ଦିନେ             ସରଗୁଁ ଉତୁରି,
ଗଙ୍ଗାମାତା ମୋର ନାଆଁ ।"

 

ପଡ଼ି ପାଦ ତଳେ             ପଚାରିଲେ ସାଧୁ,
"କି କାରଣେ ଦୁଃଖୀ, କୁହ ।"
କହିଲେ ଜନନୀ,             "କି କହିବି, ପୁଅ,
ଜଳୁଛି ମୋହର ଦେହ ।"

ଗଲାଣି ସେ କାଳ,             ପୁଅମାନେ ମୋର
ହେଲେ ଏବେ ବାଟବଣା,
ଗଢ଼ିଲେ ସହର,             ନାଳ, ନରଦମା,
କେତେ କଳ କାରଖାନା ।

 

ହଜାର ହଜାର             ପାଇଖାନା ଦେହୁଁ
ଆସଇ ଅସନା ପାଣି,
ନରକର ନାଳ             ମିଶି ଦେହେ ମୋର
ପରାଣ ନିଅଇ ଟାଣି ।

 

ତା' ସହ ମିଶୁଛି             ସହର ଅଳିଆ,
ପଚାସଢ଼ା ଯେତେ ଚିଜ୍,
ଆବର ମିଶଇ             କାରଖାନା ମଳ,
କି ଅସନା, ମନେ ହେଜ ।

 

ନ ଜାଣେ ମଣିଷ             ଏ କରଣି ତା'ର
ପାଲଟେ ରୋଗର ଖଣି,
ଅସର କଷଣ,             ଅକାଳ ମରଣ,
ପରାଣ ନିଏ ତା' ଟାଣି ।

 

"ଉପାୟ ଏହାର             କି ଅଛି, କୁହ ମା',"
ପଚାରିଲେ ସାଧୁ ଧୀରେ,
"ଖଟାଇ ଅକଲ             ଅସନା ପାଣିକୁ
ଛାଣି ଦିଅ କଉଶଳେ ।

 

ପୋଡ଼ ଅବା ପୋତ             ଅସନା ଜିନିଷ,
ସଫା ରଖ ମୋର ଦେହ,
ନୀରୋଗ, ସବଳ             ରହିବ ସରବେ,
ପୋଛିବ ମାଆର ଲୁହ ।"

 

ଡାହାଣୀ କି ସିଏ ଚିରୁଗୁଣୀ

ଡାହାଣୀ କି ସିଏ ଚିରୁଗୁଣୀ
କିଏ ସେ ନ ଥିଲି ମୁହିଁ ଜାଣି,
ଅନ୍ଧାର ରାତିରେ
ଦେଖାଉଥାଏ ସେ କେତେ ଠାଣି,
ଡାହାଣୀ କି ସିଏ ଚିରୁଗୁଣୀ ।

 

ଜଟିଆଣୀ ବୁଢ଼ୀ କହୁଥିଲା,
ଡାହାଣୀଟା ସେଠି ରହୁଥିଲା,
ଭୋକ ହେଲେ ତାକୁ
ଆପଣା ପିଲାକୁ
ନିଆଁରେ ପୋଡ଼ି ସେ ଖାଉଥିଲା ।

 

ସେ ରାତିର କଥା ପ ଡ଼େ ମନେ,
ଛୋଟ ଥିଲି ମୁହିଁ ସେହି ଦିନେ,
ଅଝଟ ମୁଁ ହେଲି,
ଭାତ ନ ଖାଇଲି
ନେଲେ ଜେଜେମାଆ ବାରି କୋଣେ,
ସେ ରାତିର କଥା ପ ଡ଼େ ମନେ ।

 

ଦେଖିଥିଲି ଯାହା କହୁଅଛି,
ଏବେ ବି ସେ କଥା ମନେ ଅଛି,
ଆଲୁଅ ଗୋଟାଏ
ଏ ପାଖୁଁ ସେ ଯାଏଁ
ଘୂରି ଘୂରି ଆପେ ଯାଇଅଛି,
ଦେଖିଥିଲି ଯାହା ମନେ ଅଛି ।

 

ତଳ, ଉପର ସେ ହେଉଥାଏ,
ନିଆଁ ହୁଳା ଭଳି ଜଳୁଥାଏ,
ହେଇ ଜଳିଗଲା,
ହେଇ ଲିଭିଗଲା,
କେବେ ସେଇ ନିଆଁ ଥରୁଥାଏ,
କି ବେଗରେ ପୁଣି ଛୁଟିଯାଏ ।

 

ଡାହାଣୀକୁ ଡରି ଭାତ ଖାଏ,
ବରଷ ବରଷ ବିତିଯାଏ,
ବିଦ୍ୟାଳୟ ଗଲି,
ପାଠ ମୁଁ ପଢ଼ିଲି,
ଡାହାଣୀ ଡର ମୋ ଛାଡ଼ିଯାଏ,
ଡାହାଣୀକୁ ଆଉ ଡରେ କିଏ ?

 

ବୁଝାଇ ଗୁରୁଜୀ କହିଦେଲେ :
ଡାହାଣୀ ସେଇଟି ନୁହେଁ, ପିଲେ,
ବୁଲଇ ବିଲୁଆ,
ତା' ପାଟିରୁ ନିଆଁ
ବାହାରେ ସେ ଯେବେ ପାଟି ଖୋଲେ,
ବୁଝାଇ ଗୁରୁଜୀ କହିଦେଲେ ।

 

ହାଡ଼ ମଧ୍ୟେ ଏକ ଚିଜ୍ ଅଛି,
ଫସ୍‌ଫରସ୍ ସେ ବୋଲାଉଛି
ପବନ ବାଜିଲେ
ଅମ୍ଳଜାନ ତୁଲେ
ନିଆଁ ଭଳି ଦେଖା ଯାଉଅଛି,
ହାଡ଼ ମଧ୍ୟେ ଏକ ଚିଜ୍ ଅଛି ।

 

ରାତିରେ ବିଲୁଆ ବୁଲୁଥାଏ,
ଖୋଜି ଖୋଜି ହାଡ଼ ଖାଉଥାଏ,
ପାଟି ତା' ଖୋଲିଲେ
ପବନ ବାଜିଲେ
ନିଆଁ ହୁଳା ଭଳି ଦେଖାଯାଏ,
ଡାହାଣୀ କଦାପି ନୁହେଁ ସିଏ ।

 

ବୁଲିଆ ଡାହାଣୀ ରୂପ ନେଲା,
ଜାଣିବାରୁ ଡର ଛାଡ଼ିଗଲା,
ଆମେ ବଡ଼ ହେଲେ
ବିଜ୍ଞାନ ପଢ଼ିଲେ
ଅନ୍ଧବିଶ୍ୱାସ ତ ତୁଟିଯାଏ,
ସତ କେ, ମିଛ କେ, ବୁଝି ହୁଏ ।

 

ଛୋଟ ବୁଦ୍ଧି ବଳରେ

      ଏତେ ବଡ଼ ଦୁନିଆକୁ
ଚଳାଉଛି ଯିଏରେ,
            ତାହାଠାରୁ ବଡ଼ ଆଉ,
କୁହ, ଅଛି କିଏ ରେ ।

 

ମାଟି, ପାଣି, ପବନ, କି
            ସୂରୁଯର ଆଲୋକ,
ଉପରେ ବ୍ୟାପିଅଛି ଯେ
            ଆକାଶର ମୂଲକ ।

ଏ ପାଞ୍ଚ ତତ୍ତ୍ୱକୁ ପରା
            ପଞ୍ଚଭୂତ କହନ୍ତି,
ଏମାନଙ୍କୁ ନେଇ ସିଏ
            ସଂସାରକୁ ଗଢ଼ନ୍ତି ।

 

ଜୀବଜନ୍ତୁ, ଗଛଲତା,
            ଯେତେ ଯାହା ଦେଖୁଛ,
ପାଞ୍ଚ ମହାଭୂତ ବିନା
            ବଞ୍ଚିବେ କି, ବୁଝୁଛ ?

 

ମଣିଷକୁ ସିଏ ଯଦି
            ବୁଦ୍ଧି, ବଳ ଦେଲାରେ,
ମନ୍ଦ କାମେ ମଣିଷ ତା’
            କିଆଁ ଲଗାଇଲାରେ ।

 

ମାଟିରେ ମିଶାଇ ବିଷ
            ଜୀବ ଯେତେ ମାରିଲା,
ସେ ମାଟିରୁ ଉପୁଜିବା
            ବିଷ ଫଳ ଖାଇଲା ।

 

ଗଛ ହାଣି ବଣକୁ ସେ
            କରିଦେଲା ପଦାରେ,
ସେ କାରଣେ ଋତୁ ବେଳେ
            ବର୍ଷା ନେଲା ବିଦାରେ ।

 

ଯାବତୀୟ ଆବର୍ଜନା
            ନଦୀରେ ସେ ଛାଡ଼ିଲା,
ଜଳ ପ୍ରଦୂଷଣ ଲାଗି
            କେତେ ରୋଗେ ପଡ଼ିଲା ।

 

ଧୂଳିଧୂଆଁରେ ପବନ
            ପ୍ରଦୂଷିତ ହେଲାରେ,
ତାହା ଲାଗି ରୋଗ ଭୋଗି
            ମଣିଷ ତ ମଲାରେ ।

 

କମାଣ, ବନ୍ଧୁକ, ବୋମା,
            ବିକଟାଳ ଶବଦେ,
କମ୍ପୁଛି ଆକାଶ ଏବେ
            ଭୟାତୁର ସରବେ ।

 

ଗଢ଼ିବା, ପାଳିବା, ନାଶ
            କରିବା ଯା’ ଖେଳରେ,
କି କରିପାରିବୁ ତୋ’ର
            ଛୋଟ ବୁଦ୍ଧି ବଳରେ ?

 

ସବୁ ଜୀବଙ୍କର ରୀତି ଇଏ

ପାଠପଢ଼ା ପରେ
                  ଫେରିଆସି ଘରେ
ବହି ବସ୍ତାନିକୁ
                  ସ୍କୁଲ ପୋଷାକକୁ
ଛାଡ଼ି ଯାଏ,
                  ଖେଳ ପଡ଼ିଆରେ
ଖେଳାଳି ମେଳରେ
                  ଚଟାପଟ୍ ଆସି
ମିଶିଯାଏ ।

 

ସକାଳ ପହରୁ
                  ଆସିଅଛି ଘରୁ,
ବନିସି ପକାଇ
                  ରହିଅଛି ଚାହିଁ
ଟୋକାଟାଏ,
                   ଛାଇ ଲେଉଟିଲା,
ଥୋପ ସରିଗଲା,
                  ନ ପଡ଼ିଲା ଛୋଟ
ମାଛଟାଏ ।

 

ଆକାଶରେ ପକ୍ଷୀ
                   ଦୁଇ ଡେଣା ଟେକି
ମନ ହରଷରେ
                  ଆପଣା ବସାରେ
ଫେରୁଥାଏ,
                  ପାଟିରେ ଆହାର
ଛୁଆ ପାଇଁ ତା’ର
                  ଅତି ଯତନରେ
ଧରିଥାଏ ।

 

ହରିଣ ପଛରେ
                  ଭୋକିଲା ପେଟରେ
ବାଘ କି ବେଗରେ
                  ଶିକାର ଆଶାରେ
ଛୁଟୁଥିଲା,
                  ପ୍ରାଣ ବିକଳରେ
ଦଉଡ଼ି ବେଗରେ
                  ହରିଣଟା କାହିଁ
ପଳାଇଲା ।

 

ଗୁଡ଼ରେ ପିମ୍ପୁଡ଼ି,
                  ଫଳରେ ବାଦୁଡ଼ି,
ଫୁଲେ ମହୁମାଛି,
                  ଅସନାରେ ମାଛି
ମନ ଥାଏ,
ପାଇଗଲେ ସୁଖୀ,
            ନ ପାଇଲେ ଦୁଃଖୀ,
ସବୁ ଜୀବଙ୍କର
            ରୀତି ଇଏ ।

କଥା କଟାକାଟି ଚାଲିଥିଲା

            ମଞ୍ଜିରୁ ଗଛ କି,
ଗଛଠାରୁ ମଞ୍ଜି ?
                  କଥା କଟାକଟି
ଚାଲିଥିଲା,
                  ଅରୁଣ କହିଲା-
ମଞ୍ଜିଠାରୁ ଗଛ
                  ଉପୁଜେ ନ ବୁଝୁ,
ଆରେ ଓଲା ।

 

                  କହିଲା ବରୁଣ-
ଏତିକି ନ ଜାଣ,
                  ଗଛ ଥିଲେ ସିନା
ମଞ୍ଜି ହେବ,
                  ଆଗେ ଗଛ ଥିଲା,
ତହୁଁ ମଞ୍ଜି ହେଲା,
                  ବିନା ଗଛେ କାହୁଁ
ମଞ୍ଜି ହେବ ?

 

                  ଅରୁଣ କହିଲା
ଚଢ଼ା ତାର ଗଳା-
                  ବୋକାଟା, ନ ଜାଣୁ
ତୁ ଏତିକି,
                  ବିହନ କିପାଇଁ
ସାଇତି ରଖଇ
                  ପଚାର ଏ କଥା
ତୁ ଚାଷୀକି ।

 

ଚାଷୀ ଜଣେ ବୋଲେ-
                  ବିହନ ନ ଥିଲେ
ଗଛ କି ଆକାଶୁ
                  ଖସିଯିବ ?


କହିଲା ଅରୁଣ-
                  ହାରିଲୁ, ରେ ଭାଇ,
ମୋ କଥା କି କେବେ
                  ହେବ ଆନ ?

 

ଆଉ ଏକ ଚାଷୀ
                  ପହଞ୍ଚିଲା ଆସି
ବରୁଣ ତାହାରେ
                  ପଚାରିଲା,
କହଇ ସେ ଚାଷୀ-
                  ଏ କି କଥା କହ,
ଗଛ ଦେହେ ସିନା
                  ମଞ୍ଜି ହେଲା ।

 

ଅଟକାଇ ବାଟେ
                  ଦାଢ଼ିଆ ବୁଢ଼ାଟେ
ଅରୁଣ, ବରୁଣ
                  ପଚାରିଲେ,
ବୁଢ଼ାର ଉତ୍ତର-
                  ଦୁଇ କଥା ଠିକ୍,
ମିଛେ କିଆଁ ପଶ
                  ଗୋଳମାଳେ ।

ଅରୁଣ ବରୁଣ
                  ମନ ବୁଝିଲାନି,
ନଈପଠା ପରେ
                  ବସିଗଲେ,
ଗାଧୋଇପାଧୋଇ
                        ଆସୁଥିଲେ ସାଧୁ,
ପାଶେ ତାଙ୍କ ଯାଇ
                  ପଚାରିଲେ ।

 

ହସି ହସି ସାଧୁ
                  ଦିଅନ୍ତି ଉତ୍ତର-
ପଚାରିଲ ଭଲ
                  କଥା ଏକ,
ଯୁଗ ଯୁଗ ଧରି
                  ଉତ୍ତର ଯାହାର
ଲୋଡ଼ନ୍ତି ସଂସାରେ
                  ସବୁ ଲୋକ ।

 

ମଞ୍ଜି ଅବା ଗଛ
                   ଆଗେ ହେଉ ଯିଏ,
ଆସିଅଛି କାହୁଁ,
            ଜାଣିଛ କି ?


ମାଟି, ପାଣି, ସୂର୍ଯ୍ୟ,
                  ପବନ, ଆକାଶ
ଦେଇଅଛି କିଏ,
                  ବୁଝିଛ କି ?

 

ଗଛ ଦେଲା ଯିଏ,
                  ମଞ୍ଜି ଦେଲା ସିଏ,
ଗଛରୁ ମଞ୍ଜି ସେ
                  ଜାତ କଲା,
ଛୋଟ ମଞ୍ଜିଟିରେ
                  ଏତେ ବଡ଼ ଗଛ
କେତେ କଉଶଳେ
                  ଥାପି ଦେଲା ।

 

ସଂସାରକୁ ଏକ
                  ଗଛ ମନେ କର,
ଏ ସଂସାର ଯେବେ
                  ନାଶ ଯାଏ,
ଈଶ୍ୱର ଇଚ୍ଛାରେ
                  ସୂକ୍ଷ୍ମ ମଞ୍ଜି ରୂପେ
ଈଶ୍ୱରଠାରେ ସେ
                  ମିଶିଯାଏ ।

 

ବୁଝିଗଲେ ଏବେ
                  ଅରୁଣ, ବରୁଣ
ସାଧୁବାବା ଯାହା
                  କହିଗଲେ,
ଜଗତକରତା
                  ଭଗବାନ ସିନା,
ସବୁ ହୁଏ ତାଙ୍କ
                  ଇଚ୍ଛା ବଳେ ।

 

 

 

ଜାଆଁଳା, ଜାଣ, ଦି ପୁଅ

ଲୋକେ ଥିଲେ ଜଣେ,            ଜନମିଲେ ଦିନେ
ଘରେ ତାଙ୍କ ପୁଅ ଦୁଇ,
ଗଢ଼ଣ ଦିହିଁଙ୍କ            ଦେଖାଯାଏ ଏକ,
ସହଜେ ବାରି ହୋଇ ।

 

ଆଗେ ଜନମିବା            ପୁଅର ବରନ
କଳା ମିଚିମିଚି ଦିଶେ,
ସାନ ପୁଅ ଦେହ            ଗୋରା ତକତକ,
ଫୁଟିଲା ମାଳତୀ କି ସେ ।

 

କାଳିଆ, ବଳିଆ            ଦୁଇ ପୁଅ ନାଆଁ
ଦେଲେ ବାପା ଶରଧାରେ,
ତଥାପି ସମାନ            ଭାବ ନ ରଖନ୍ତି
ବାପା ଦୁଇ ପୁଅଠାରେ ।

 

ସାନ ପୁଅଠାରେ            ସେନେହ ଅଧିକ
ପାଶେ ଥିଲେ ହୋଇ ଖୁସି,
ମନ ଫୁଲାଣିଆ            ଗୀତ ଗାଉଥାନ୍ତି
କହୁଥାନ୍ତି କଥା ହସି ।

 

ବଡ଼ପୁଅ ଆସି            ବସିଲେ ପାଶରେ
ବାପ ମୁହଁ ଯାଏ ଶୁଖି,
କାଳିଆଟା କିଆଁ            ଘରୁ ଯାଉ ନାହିଁ,
ଏ କଥା ମନରେ ରଖି ।

 

ଦିନେ ଦୁଇ ଭାଇ            ବାପା ପାଶେ ଯାଇ
କହିଲେ ସେନେହ ଭରେ-
ଏପରି କିପାଇଁ            ଭେଦଭାବ ତୁମେ
ରଖ ଦୁଇ ପୁଅଠାରେ ।

 

ଦୁଇ ଭାଇ ଆମେ            ଲୁଚକାଳି ଖେଳ
ଖେଳୁଅଛୁ ଶରଧାରେ,
କାଳିଆ ଲୁଚିଲେ            ତାକୁ ନ ଦେଖିବ,
ବଳିଆ ଥିବ ପାଶରେ ।

 

ପାଳି କରି ଆମେ             ଯାଇ ଆସୁଅଛୁ,
ବୁଝ, ହେ ବାପା, ଏତିକି,
ଦୁଇ ପୁଅଠାରେ            ସମାନ ସେନେହ
ରଖିବା ଉଚିତ ନିକି ।

 

ଅବୁଝା ସେ ବାପା            ହୋଇଯାନ୍ତି ଖପା
ପାଖରେ କାଳିଆ ଥିଲେ,
ଦିନଟିଏ ତାଙ୍କୁ            ଲାଗେ ଯୁଗ ପରି
ବଳିଆକୁ ନ ଦେଖିଲେ ।

 

ଦେଇ କି ପାରିବ,            ପିଲାଏ, କାଳିଆ
ବଳିଆର ପରିଚୟ ?
ଦୁଃଖ, ସୁଖ ଦିହେଁ            ମଣିଷ ମନର
ଜାଆଁଳା, ଜାଣ, ଦି’ପୁଅ ।

 

ସୁଖ ଦୁଃଖ ଦୁଇ            ମଣିଷ ଜୀବନେ
କେବେ ଆସେ, କେବେ ଯାଏ,
ଭଗବାନ ପାଶେ            ଲଗାଏ ଯେ ମନ,
ବଳିଆ ତା’ ପାଶେ ଥାଏ ।

 

ମାଆ ପରି ଅଛି କିଏ ରେ ?

ଧରି ଗରଭରେ
ଦଶ ମାସ କାଳ
ଆହାର ନିଜର ଦିଏ ରେ,
ଜନମିବା ବେଳେ
ଅସହ ବେଦନା
ମାଆ ଆମ ସହିନିଏ ରେ !

 

ଉଠାଇ କୋଳରୁ
ଲଗାଇ ବୁକୁରେ
ପିଆଏ ଅମୃତ ଯିଏ ରେ,
ସେ ଅମୃତ ତା’ର

ରକତ ଦେହର,
ବୁଝିଅଛ, କୁହ, କିଏ’ରେ ?

 

ହାମୁଡ଼ିବା ବେଳେ
ତୋଳି ନେଇ ହାତେ
ଶିଖାଇଲା ଚାଲି ଯିଏ ରେ,
ଘୋଷାଇ ଘୋଷାଇ
ଶିଖାଇଲା କଥା,
ମାଆ ଆମ ପରା ସିଏରେ ।

 

କାଉକୁ ଦେଖାଇ
ଥରକୁ ଥର ମୁଁ
ପଚାରିଲେ, ଇଏ କିଏ’ରେ
ବିଗିଡ଼ି ନ ଯାଇ
କାଉ, କାଉ ବୋଲି
କହେ ଯିଏ, ମାଆ ସିଏ’ରେ ।

 

ଦେହଟା ମୋହର
ହୋଇଲେ ବେମାର
ନ ଶୁଏ ରାତିରେ ଯିଏ ରେ,
ସେବା ଯତନରେ
ମନ ଲାଖିଥାଏ,
ମାଆ ପରା ମୋର ସିଏ’ରେ ।

 

ଖେଳେ ପିଲାବେଳେ
ପଡ଼ିଗଲେ ତଳେ
ଆଣ୍ଠୁ ମୋ ଜଖମ ହୁଏ ରେ,
ଟେକି ନେଇ ଘରେ
ମଲମ ଲଗାଇ
ମାଆ ମୋର ସେକି ଦିଏ’ରେ ।

 

ପଡୁଛି ମୋ ମନେ
ପେଟବଥା ଦିନେ
ମାଆ କି ଛାନିଆ ହୁଏ ରେ,
ଲୁହ ସେ ଝରାଏ,
ଔଷଧ ଖୁଆଏ,
ମାଆ ପରି ଅଛି କିଏ’ରେ ?

 

ରୁଚୁଥାଏ ମୋତେ
ଆହାର ଯେମନ୍ତେ
ଯୋଗାଡ଼ି ରଖଇ ସିଏ’ରେ
ଶାଗ, ବଡ଼ିଭଜା,
ତା’ ହାତ ଦିଏ ଯା’,
କୁହ, ଦେବ ଆଉ କିଏ’ରେ ?

 

ଚାଟଶାଳୀ ଫେରା
ବାଟକୁ ମୋହର
ଚାହିଁ ରହିଥାଏ ଯିଏ’ରେ,
ଧରି ନେଇ ହାତ
ଆପଣା ପଣତେ
ମୁହଁ ମୋର ପୋଛି ଦିଏ’ରେ ।

 

ଅମାନିଆ ହେଲେ
ଟାଣି ନେଇ କୋଳେ
ମଥା ମୋର ଚୁମେ ଯିଏ ରେ,
ତାହାଠାରୁ ବଳି
ଆପଣାର ମୋର
ଦୁନିଆଁରେ ଅଛି କିଏ’ରେ ?

 

ମାଆ ପଣିଆର
ମହତ ତୁଳିଲେ
ବସୁଧାଠୁଁ ଭାରି ଯିଏରେ,
ତା’ପାଦରେ ମୋର
କୋଟି ନମସ୍କାର,
ମାଆ ପରି ଅଛି କିଏ’ରେ ?

ନିଜ ପାଇଁ ଜୀଏଁ ଯିଏ

ପାଠ ପଢୁଥିବ,            ମନେ ଭାବୁଥିବ,
ହାକିମଟେ ହେବି ମୁହିଁ,
କି ବା ନେତା ହେବି,            ବେପାର କରିବି,
ସବୁ ସିନା ନିଜ ପାଇଁ ।

 

ଛୋଟ ଜୀବଟାଏ,            ପିମ୍ପୁଡ଼ି ଗୋଟାଏ,
ସାଇତି ରଖେ ଆହାର,
ମଣିଷ ଜନମ,            ପାଇ ତାହାଠାରୁ,
ବଡ଼ ହେଲ କି ପ୍ରକାର ?

 

ଟିକି ମହୁମାଛି,            ରଖେ ମହୁ ସଞ୍ଚି,
କରଇ ଆହାର ସିଏ,
ସେଥିରୁ ତ କିଛି,            ମଣିଷ ଆଣୁଛି,
ତା’ କି ପର ପାଇଁ ନୁହେଁ ?

 

ବଇଶାଖ ଖରା,            ଶୀତ ଦେହଥରା
ବରଷା, ବତାସି ସହେ,
ଗଛ ସିଏ ଦେଇ,            ଫୁଲ, ଫୁଳ, ଛାଇ
ପର ପାଇଁ ଜୀଇଁ ରହେ ।

 

କୁଳୁକୁଳୁ ହୋଇ            ବହିଯାଏ ନଈ,
ସବୁରି ଜୀବନ ଯିଏ,
ପର ପାଇଁ ପରା            ପରାଣ ତା’ ସାରା
ସମରପି ଦିଏ ସିଏ ।

 

ଫୁଲ ରସିକିଆ            ରଙ୍ଗ ବେରଙ୍ଗିଆ
ପରଜାପତିଟି ଘୂରେ,
ପରୀ ରୂପ ତା’ର            କେତେ ମନୋହର,
ପର ପାଇଁ ରୂପ ଧରେ ।

 

ଜିଆ କି ବାଗରେ            ରଖେ ମାଟି ତଳେ
ଚାଷୀ ଭାଇ ପାଇଁ ସାର,
ସୁନାର ଫସଲ            ଲହରୀ ଖେଳଇ,
ନୁହେଁ କି ପରୋପକାର !

 

ଦିନସାରା ଖଟି            କୃଷକ ଭାଇଟି
ଶସ୍ୟ ଯାହା ଉପୁଜାଏ,
ଅଳପ ନିଜର,            ବହୁତ ପରର,
ସେ କି ନିଜ ପାଇଁ ଜୀଏଁ ?

 

ଧନ, ମାନ, ଯଶ,            ଅଧିକାରମାନ
ସବୁକିଛି ପାଶେ ଥାଏ,
ନଥିବା ପ୍ରକାରେ            ପୋଛିନିଏ କାଳ
ନିଜ ପାଇଁ ଜୀଏଁ ଯିଏ ।

ପୁଷି ବସିଛି ରୁଷି

ଆମର ପୁଷି
ବସିଛି ରୁଷି,
ପିଉନି ଦୁଧ ଦେଲେ,
ପାଖକୁ ଆସି
ଦେଲେ ଆଉଁସି
ବସୁନି ମୋର କୋଳେ ।

 

ଝିଟିପିଟି କି
ଝିଣ୍ଟିକା ଦେଖି
କି ବାଗେ ମାରେ ଡିଆଁ,
ନଖ ତା’ କାଢ଼ି
ବସଇ ମାଡ଼ି
ଚୋବାଏ କରି ଆଁ ।

 

ଗାତ ପାଖରେ
ଦେଖି ମୂଷାରେ
ବିଜୁଳି ବେଗେ ଧାଏଁ,
ଆଜି କି ହେଲା,
କାହିଁ ନ ଗଲା,
ମୁହଁ ଶୁଖାଇ ଶୁଏ ।

 

ହେଲା କି ତା’ର
ଦେହ ବେମାର ?
ଆଖିରୁ ବହେ ଲୁହ,
କିଛି ନ କହେ,
ପାଶେ ନ ରହେ,
କୁହ, ରେ ଟୁଲୁ, କୁହ ।

 

କହିଲା ଟୁଲୁ-
"ପୁଷିଟା ଓଲୁ
ବୁଝିଗଲି ମୁଁ କାଲି,
ଦୋଷ ମୋହର,
ବାପା, ନ ଧର,
କହୁଛି କଥା ଖୋଲି ।

 

ଦୁଧ ଗିନାଏ
ଗରମ ଥାଏ,
ରଖିଲି ପାଶେ ତା’ର,
ଥିଲା ଭୋକିଲା,
ଜିଭେ ଚାଟିଲା,
ବହିଲା ଲୁହ ଧାର ।"

 

ଚିଡ଼ି ଉଠିଲେ,
ବାପା କହିଲେ-
"ସବୁ ଜୀବରେ ସାର
ମଣିଷ ହୋଇ,
କୁହ, କିପାଇଁ
କଲୁ ଏପରି ଭୁଲ ?"

 

କହ, ରେ ଟୁଲୁ,
ନ ମାରି ଗାଲୁ,
ଓଲା ତୁହି ନା ପୁଷି ?


ଯେଉଁଥି ପାଇଁ
ଦୁଧ ନ ପିଇ
ପୁଷି ବସିଛି ରୁଷି ।

 

କହେ ମାଟି ମାଆ ଆମର

ଧନ୍ୟ ମାଟି ମାଆ ଆମର,
ଜୀବନ ଅକଳନ
କରଇ ପୋଷଣ,
ଚରଣେ ତା’ କୋଟି ଜୁହାର ।

 

ବୁକୁ ତା’ ବିଦାରି
ଚାଷୀ ଚାଷ କରି
ଉପୁଜାଏ ଆମ ଆହାର,
ଧରି ସେ ରଖିଛି
ଦେଖୁଁ ଯାହା କିଛି,
ଧରଣୀ ଜନନୀ ଆମର ।

 

ଖରାର ତାତିରେ,
ବରଷା, ଶୀତରେ
ଥରି ଉଠେ ଛାତି ତାହାର,
ସବୁ ସହିନିଏ,
ଲୁହ ନ ଗଡ଼ାଏ,
ସର୍ବସହା ନାଆଁ ତାହାର ।

 

ସୁନା, ରୂପା, ହୀରା,
ତେଲ, କି କୋଇଲା,
ଅକଳନ ଧନ ମାଆର,
ତା’ ଗରଭୁ ନେଇ
ମଣିଷ କହଇ-
ବସୁମତୀ ମାତା ଆମର ।

 

ସବୁ ମଣିଷର
ମାଆ ସେ ନିଜର
ସବୁରି ସୁଖର ଆଧାର,
ଦୁଃଖ କି କଷଣ
ମଣିଷ ଭିଆଣ,
ଦୋଷ ଲେଶ ନାହିଁ ମାଆର ।

 

ବସୁଧାଟି ସାରା
ପରିବାର ପରା
ଋଷିମୁନିଙ୍କର ବିଚାର,
ଲଢ଼େଇ କିପାଇଁ
ଭାଇ ସାଥେ ଭାଇ
ସବୁ ପୁଅ ଏକ ମାଆର ।

 

ମିଳିମିଶି ଚଳ,
ଏକତା ହିଁ ବଳ,
ଉପକାର କର ପରର,
ନିଜେ ଦୁଃଖ ସହ,
ଅନ୍ୟକୁ ସୁଖ ଦିଅ-
କହେ ମାଟି ମାଆ ଆମର ।

ଆପଣା ଗୁଣେ କି ଗଣାଯିବ ?

ସବୁଠାରୁ ବଳି             ବଳୁଆରେ ମୁହଁ,
ମୋତେ କେ ଟକ୍କର ଦେବ, କୁହ,
ଥାପଡ଼କେ ଭାଙ୍ଗି-             ଦେବି ହନୁ ହାଡ଼,
ମୋ ଆଗରେ ଆସି ଠିଆ ହୁଅ !

 

ସବୁଠାରୁ ବଡ଼             ଧନୀଘର ପୁଅ
ବୋଲି ଏ ସହରେ ନାଆଁ ମୋର,
ସବୁ ପିଲା ମୋତେ             ଖାତିରି କରନ୍ତି
ଚକ୍‌ଲେଟ୍ ନେଇ ବାରମ୍ୱାର ।

 

 

ଫେସନରେ ମୋତେ             ଟପିବ କିଏ ରେ ?

ରଙ୍ଗଢ଼ଙ୍ଗିଆ ମୋ ପିନ୍ଧା ଦେଖ,
ଦିନରେ ଦି’ଥର             ବଦଳାଏ ବେଶ
ଝଲସୁଥାଏରେ ଚକ୍ ମକ୍ ।

 

ତୁମେ ଆମ ସରି             ହେବ ବା କିପରି,
ମାଆ ମୋର କେତେ ବଡ଼ ନେତ୍ରୀ,
ପଛରେ ତାଙ୍କର             ହଜାର ହଜାର
ଲୋକ ଜଗୁଛନ୍ତି ଦିନରାତ୍ରି ।

 

ଶ୍ରେଣୀରେ ପ୍ରଥମ             ହୁଏ ମୁଁ ହିଁ, ଜାଣ,
ଖାତାକୁ ମୋ ନେଇ ସବୁ ପିଲା,
ଦେଖି ଲେଖିନେଇ             ଦେଖାନ୍ତି ଶିକ୍ଷକେ
ମୋଠାରୁ ବଡ଼ କେ’ କହ ଭଲା ?

 

ବୁଢ଼ା ଭିକାରୀଟି             ଭୂଇଁ ପରେ ଲୋଟି
ଛାଡୁଥିଲା ରଡ଼ି ବିକଳରେ,
କିଏ ଅଛ ଏଠି             ନ ପାରେ ମୁଁ ଉଠି
ପାଣି ଟିକେ ଦିଅ ମୋ ପାଟିରେ !

 

ପିଲାଏ ଚାଲିଲେ             ଯେ ଯାହା ବାଟରେ,
ଜଣେ ବି ତା’ କଥା ନ ଶୁଣିଲା,
ଛୋଟ ପିଲାଟିଏ             ପାଣି ଗିନାଟିଏ
ଆଣି ସେ ବୁଢ଼ାକୁ ପିଆଇଲା ।

 

ଧନ, ବିଦ୍ୟା, ବଳ,             ବେଶ, ଅଧିକାର
କି ଲୋଡ଼ା ତୁମର ଯାହା ଥିବ,
ପର ଉପକାରେ             ନ ଲାଗିଲେ ତାହା
ଆପଣା ଗୁଣେ କି ଗଣାଯିବ ?

ରଙ୍ଗ ପରବ

ଆଜି ପରା ଦୋଳ ପୁନିଅ, ପିଲେ,
ଦିଅଁ-ଫଗୁ ଟିପେ ମାଖ କପାଳେ,
ଠାକୁରଙ୍କ ପାଶେ ମଥା ନୁଆଁଇ
ମାଗ ବରଷକ ଆଶିଷ ପାଇଁ ।


ଝାଇଁ କି ଝାଇଁ
ବାଜୁଅଛି ଘଣ୍ଟ ମନ୍ଦିର ଠାଇଁ ।

ପାହିଲାଣି ରାତି, ଉଠରେ ଉଠ,
ଆଜି ପରା ହୋଲି, ନ କର ମଠ,
ବାସି ପୋଷାକକୁ ଉତାରି ଦିଅ,
ସଫା ଲୁଗାପଟା ପିନ୍ଧି ପକାଅ
ରଙ୍ଗ ପରବ,
ସଜା ହୋଇଅଛି ରଙ୍ଗ ଦରବ ।

 

ସଜ ହୋଇ ଆସ, ଖେଳିବା ହୋଲି,
ଆଜି ମଜା ଆଉ ନଥିବ କାଲି,
ନାଲି, ନୀଳ, କଳା, ସବୁଜ, ଧଳା,
ମୁହଁ, ଦେହ, ହାତ ରଙ୍ଗରେ ବୋଳା,
ଆସରେ ଆସ,
ହୋଲି ଖେଳବେଳେ ଘରେ ନ ବସ ।

 

ହୋଲିଗୀତ ବଡ଼ପାଟିଆ ଗାଅ,
ବାଇଦ ବାଜଣା ମନ ମତାଏ,
ନାଚ ଚାଲୁଅଛି ଗୀତର ତାଳେ,
ବଡ଼ସାନ ସବୁ ଏକ ଏ ମେଳେ
ବଢ଼ିଆ ମଜା,
ଚକଲେଟ୍ ଆଣି ଦିଅନ୍ତି ଅଜା ।

 

ବୁଢ଼ୀଟିଏ ଆସେ ଏତିକିବେଳେ,
ଛୋଟପିଲା ରଙ୍ଗ ତା’ ଦେହେ ବୋଳେ,
ସେଇ ଗୋଟାକ ତ ଲୁଗା ବୁଢ଼ୀର
ଆଖିରୁ ବହେ ତା ଲୁହର ଧାର,
ପିଲାର ମାଆ,
ଆଣି ଦେଲେ ତାକୁ ଲୁଗାଟେ ନୂଆ ।

 

କି ହେଲା ସହସା ଯବୁକ ଦୁଇ
ବଚସାରୁ ଲାଗିଗଲେ ଲଢ଼େଇ,
ବୁଝାଇ ଦିହିଁଙ୍କୁ ବୟସ୍କ ଦଳେ
ନେଇଗଲେ ପୁଣି ଆପଣା ମେଳେ,
ଅଜବ କଥା,
ଲାଜେ ପୋତି ହୁଏ ଆମର ମଥା ।

 

ବରଷରେ ଥରେ ହୋଲି ପରବ,
ମଣିଷର ପୁଣି ଏତେ ଗରବ,
ଦେଖରେ ମଣି, ଆଖି ତୋ ଖୋଲି,
ପ୍ରକୃତି ଭିତରେ ରଙ୍ଗର ହୋଲି,
କେମିତି ନିତି
ଚାଲଇ କି ଭାବେ, ନାହିଁ ଅନୀତି ।

 

ମାଟି, ଫୁଲଫଳ, ଗଛପତର,
କଳା, ଧଳା, ନାଲି, ସବୁଜ ନୀଳ,
ହଳଦିଆ ଆଦି ହୋଲି ରଙ୍ଗର,
ସରଜେ ପ୍ରକୃତି ଇଚ୍ଛାରେ ଯାରହ
ତା’ ପାଦେ ମୋର
ଭକତିରେ କୋଟି କୋଟି ଜୁହାର ।

 

ପଙ୍କରୁ ପଙ୍କଜ ଆମେ ହେବା

ତୁମ ବୟସର ପିଲାଟିଏ,
ଚଗଲା ତା’ ପରି ସିନା ସିଏ,
ସାଙ୍ଗସାଥି ମେଳେ
ସବୁବେଳେ ଖେଳେ
ବାପାଙ୍କୁ କେବଳ ଡରୁଥାଏ,
ତାଙ୍କୁ ଲୁଚି ଘରୁ ଖସିଯାଏ ।

 

ଚାରି ବରଷର ପିଲା ସେଇ
ଭଲମନ୍ଦ କଥା ନ ବୁଝଇ,
ଚଗଲାମି କଥା
ପଶିଲା ତା ମଥା
ଧୂଳି ଛୁଳ କଲା ବାଟ ପରେ,
ପୋତିଦେଲା କଣ୍ଟା ତା’ ଭିତରେ ।

 

ମନେ ମନେ ଟୋକା ଭାବୁଥାଏ,
ଆସିବ ସେ ବାଟ ଦେଇ ଯିଏ,
ପାଦେ କଣ୍ଟା ଗଳି
ଓହୋ, ଆହା କରି
ଛୋଟେଇ ଛୋଟେଇ ଚାଲୁଥିବା
କଣ୍ଟାଗଳା ମଜା ଚାଖୁଥିବ ।

 

ଚାରିଜଣ ଲୋକ ପାଦେ ଖାଲି
ଧୂଳି ଗଦା ଡେଇଁ ଗଲେ ଚାଲି,
ମଜା ନ ଲାଗିଲା,
ମଉନେ ସେ ପିଲା
କଣ୍ଟା କେ’ ମାଡ଼ିବ ଦେଖୁଥାଏ,
ମଜା ଦେଖିବାକୁ ଉଣ୍ଡୁଥାଏ ।

 

ଏତିକିବେଳେ ତା’ ବଡ଼ଭାଇ
କେଜାଣି କାହିଁକି ଖପା ହୋଇ
ଦୁମ୍ ଦାମ୍ ଖାଲି
ଯାଉଥିଲେ ଚାଲି,
ଧୂଳି ପରେ ପାଦ ପଡ଼ିଗଲା,
ଦୁଇ କଣ୍ଟା ପାଦେ ଗଳିଗଲା !

 

ଚାଲି ନ ପାରି ସେ ବସିଗଲେ,
କଣ୍ଟାକୁ ହାତରେ ଉପାଡ଼ିଲେ,
ରକତ ବହିଲା,
ପୀଡ଼ା ବଢ଼ିଗଲା,
ପିଲାଟି ବିକଳେ ଭାବୁଥିଲା,
ଛାତିରେ ତା’ର କଣ୍ଟା ଗଳିଗଲା !

 

ସେଇ ପିଲା ଦିନେ ବଡ଼ ହେଲା,
କେତେ କେତେ କଥା ଭୁଲିଗଲା,
ସେଇ ଘଟଣାଟି
ପକାଇଲା ଗଣ୍ଠି
କେବେ କା ଅନିଷ୍ଟ କଲା ନାହିଁ,
ଅବାଟରେ ଆଉ ଗଲା ନାହିଁ !

 

ପାଠରେ ତେଣିକି ମନ ଦେଲା,
ପଢ଼ାସାଥିଙ୍କୁ ସେ ଟପିଗଲା,
ଗୁରୁଜନ ଠାରୁ
ସଭିଁଙ୍କ ମୁହଁରୁ
ପରଶଂସା ତା’ର ଶୁଣାଗଲା,
ଆଚରଣ ଯେଣୁ ଭଲ ଥିଲା ।

 

ପାଠୁଆ ସାଥି ତା’ କେତେ ଥିଲେ,
ବଡ଼ ଅଧିକାରୀ ବନିଗଲେ,
ଶିକ୍ଷକ ସେ ହେଲା,
ଆଦର ପାଇଲା,
ଛୋଟଠାରୁ ବଡ଼ ସବୁଠାରୁ,
ଶିକ୍ଷକରୁ ବଢ଼ି ହେଲା ଗୁରୁ !

 

ପାଠ ପଢ଼ାଇବାବେଳେ ସିଏ,
କି ଲୋଡ଼ା ପିଲାଙ୍କୁ ବୁଝୁଥାଏ,
ଗପରୁ କବିତା
କାହିଁ କେତେ କଥା
ପିଲାଙ୍କ ପାଇଁ ସେ ଲେଖିଯାଏ,
ଲେଖକ ରୂପରେ ନାଆଁ ପାଏ ।

 

ଲୋକ ହିତେ ସିଏ ମନ ଦେଲା,
ସେବାସଂଘଟିଏ ଗଢ଼ି ଦେଲା,
ପିଲା, ଯୁବା, ବୁଢ଼ା,
ବୁଢ଼ୀ ପାଶେ ଛିଡ଼ା
ହୋଇ ଅସାହାରେ ସାହା ହେଲା,
ସମାଜ ସେବାରେ ମନ ଦେଲା ।

 

ଏଥିରୁ ଏ କଥା ବୁଝିନେବା,
ଅବାଟ କଦାପି ନ ମାଡ଼ିବା,
ଭୁଲ୍‌ “ଉ”କାର
ଉଠାଇବା ସାର,
ଭୁଲ୍‌ର ଭଲକୁ ଉଠିଯିବା,
ପଙ୍କରୁ ପଙ୍କଜ ଆମେ ହେବା !

 

ଲୋଭ ଲାଗି ସିନା

ବରଷା ହୋଇନି
                  ମାସେ ହେଲା, ବିଲ
ପୁରା ଟାଙ୍ଗରା,
                  ଦିନ ଦି’ ପହରେ
ଚାଉଁ ଚାଉଁ କରି
                  ମାରୁଛି ଖରା ।

 

ଚାରିଦିନ ହେଲା
                  ପଡ଼ିନି ପେଟରେ
ଆହାର କିଛି,
                  ବିଲମାଳେ ଧଣ୍ଡ
ହୁଏ ଲଣ୍ଡଭଣ୍ଡ
                  ଭୋକରେ ଅଛି ।

 

ମଥା ଟେକି ଧଣ୍ଡ
                  ଦେଖିଲା ପାଖରେ
ପରଜାପତି,
                  ରଙ୍ଗବିରଙ୍ଗ ତା’
ଡେଣା ମେଲି ଉଡ଼େ
                  ଖୁସିରେ ଅତି ।

 

ଧଣ୍ଡ ଭାବୁଥାଏ,
                  ସହଜେ ତାହାକୁ
ଟାଣି ଆଣିବ,
                  ହେଲେ ଏତେ ଟିକି
ଶିକାରେ କି ତା’ର
                  ପେଟ ପୁରିବ ।

 

ଦେହେ ନାହିଁ ବଳ,
                  ଧୀରେ ଧୀରେ ଧଣ୍ଡ
ଯାଉଛି ଚାଲି,
                  ଦେଖିଲା ପାଖରେ
ବସିଛି ଗୋଟିଏ
            କୁନି ବଗୁଲି ।

 

ପାଟିରୁ ଗଳିଲା
                  ଲାଳ ସିନା ତା’ର,
ପାଇଲା ନାହିଁ,
                  ମୁହଁ ପାଶୁ ତା’ର
ତଟକା ଶିକାର
                  ଗଲା ପଳାଇ ।

 

ଶିକାର ଆଶାରେ
                  ଧାନଗଛ ମୂଳେ
କୁଣ୍ଡଳୀ କାଟି
                  ଚେଇଁ ଶୋଇଥାଏ
ସାପ ବିଚରାଟି
                  କାମୁଡ଼ି ମାଟି ।

 

ଉଡ଼ି ବୁଲୁଥାଏ
                  ପ୍ରଜାପତିଟାଏ
ଚକର କାଟି,
                  ଶିକାର ଧରିବା
ଆଶାରେ ଆସୁଛି
                  ବୁଢ଼ା ବେଙ୍ଗଟି ।

 

ଡେଇଁ ଡେଇଁ ବେଙ୍ଗ
                  ଧଣ୍ଡ କୁଣ୍ଡଳୀରେ
ବସିଲା ମାଡ଼ି,
                  ଚାହୁଁ ଚାହୁଁ ସାପ
ଧରିନେଲା ତାକୁ
                  ପାଟିରେ ଭିଡ଼ି ।

 

ବେଙ୍ଗ ପଛ ପଟ
                  ସାପର ପାଟିରେ,
ପାଟି ବେଙ୍ଗର
                  ଡାକ ଛାଡୁଥିଲା
ପରାଣ ବିକଳେ
                  କେଁ କଟର ।

 

ପରଜାପତିଟି
                  ବେଙ୍ଗ ମୁହଁ ଦେଇ
ଯାଉଛି ଉଡ଼ି,
                  ଜିଭକୁ ବଢ଼ାଇ
ବେଙ୍ଗ ତାକୁ ବଳେ
                  ଆଣିଲା ଭିଡ଼ି ।

 

ଲୋଭ ଲାଗି ସିନା
                  ବହୁ ଜୀବଙ୍କର
ଜୀବନ ଯାଏ,
                  ଆମେ କି ଏଥିରୁ
ଶିଖିବାନି କିଛି
                  କହ, ପିଲାଏ ?