କଥା ଶୁଣ

କଥା ଶୁଣ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ପାଞ୍ଚ ଲୋକ ସଙ୍ଗେ ହେବାକୁ ସମାନ,

ଲୋଡ଼ନ୍ତି ସଭିଏଁ ଧନ ଆଉ ମାନ ।

ଖାଲି ମନ ଥାଇ ଅବା କେଉଁ ଫଳ,

ସବୁଥିକି ସିନା ଲୋଡ଼ା ବୁଦ୍ଧି, ବଳ ।

ବୁଦ୍ଧି ଲାଗି ଲୋଡ଼ା ବିଦ୍ୟା ଅରଜନ,

ବିଦ୍ୟା ବଳେ ନର ଲଭେ ଦିବ୍ୟଜ୍ଞାନ ।

ଧନ ଥାଇ ପୁଣି ଅଛି ନାନା ଡର,

କେବେ ଯିବ ପୋଡ଼ି, କେବେ ନେବ ଚୋର ।

ଆଜି ରଜା କାଲି ଦାଣ୍ଡର ଭିକାରୀ,

ନିତି ଏକାପରି ନ ଯାଏ କାହାରି ।

ପଢ଼ିଥିଲେ ବାବୁ ପାଠ ଦି’ ଅକ୍ଷର,

ପୋଡ଼ି ହଜିଯିବା ଭୟ ନାହିଁ ତାର ।

ନେଇ ନ ପାରିବେ କେହି ଦେହ ଗୁଣ,

ତେଣୁ କହେଁ ସିନା-ଶୁଣ କଥା ଶୁଣ ।

 

-ଛୋଟ ମୁହେଁ ବଡ଼ କଥା-

ଝରଣା ପାଖରୁ ଅଳପ ବାଟରେ

ନନ୍ଦ କୂଅଟିଏ ଥାଏ

ଝରଣାକୁ ଦେଖି ମୁହଁ ମୋଡ଼ି ଦେଇ

ନାକ ଟେକି କଥା କହେ-

 

‘‘ପଙ୍କ ସଲବଲ ଦିହ ଗୋଟାଯାକ

ଥଳ କୂଳ ତୋର ନାହିଁ,

ଠାଆକେ ନ ରହୁ, ସବୁବେଳେ ଖାଲି

ଗଡ଼ି ଚାଲୁଥାଉ କାହିଁ ।

 

ଆଟିକାଟାକର ମୁହଁଟାକୁ ନାହିଁ

ସୋରିଷଟାକର ଲାଜ,

ଧିକ ତୋ ଜନମ, ରାତି ଦିନ ଖାଲି

ହେଉଥାଉ ବଜ ବଜ ।

 

ଟିକି ଝରକାରେ ନେଳିଆ ମେଘକୁ

ଦିନ ରାତି ସୁଖେ ଚାହେଁ,

ଦୁନିଆଁଯାକର ମରମ ଖୋଜି ମୁଁ,

କେଡ଼େ ମଉଜରେ ଥାଏଁ ।

 

ୟାକୁଇ କହନ୍ତି ସୁଖର ଜୀବନ

ନିହାତି ନିଲଠା ତୁହି,

କେଉଁ ଫଳ ଅଛି ସଂସାର ଭିତରେ

ତୋପରି ଜୀବନ ଥାଇ ?’’

 

ନୀରବେ ଝରଣା ସବୁ ସହୁଥାଏ

ସବୁ ଶୁଣୁଥାଏ କାନେ,

ଦାଉ ସାଧିବାକୁ ସୁବିଧା, ସୁଯୋଗ

ଉଣ୍ଡୁଥାଏ ମନେ ମନେ ।

 

ଦିନାକେତେ ପରେ ଚାରିମେଘ ଘୋଟି

ଆସିଲା ବରଷା କାଳ,

ମେଘ ପାଣି ପାଇ ଉଛୁଳି ଉଠିଲା

ଏଥର ଝରଣା ଜଳ ।

 

ଦୁଇ କୂଳ ଖାଇ ବଢ଼ିଲା ବେଗରେ

ସୁଅ ହେଲା ପରଖର,

ଗରଜନ ଛାଡ଼ି ଧାଇଁଲା ରାଗରେ

ବଳ କି ଦେଖିବ ତାର !

 

ଆଖି ପିଛୁଳାକେ କୂଅ ପାଶେ ଯାଇ

ପଚାରିଲା- ‘‘ଆରେ କୂଅ,

ଛଳାଇ କେତେ ତ କହୁଥିଲୁ, ଏବେ

କିଏ ସେ ରଖିବ କହ ?’’

 

ଚାନ୍ଦନି ସହିତେ କୂଅକୁ ଗିଳିଲା

ନ ରଖି କାହାରି ପତ୍ତା,

ଏଇଥିକି କହେଁ-ଶୋଭା ପାଏ ନାହିଁ

ଛୋଟ ମୁହେଁ ବଡ଼ କଥା ।

 

 

 

-ଗରବ ଅନ୍ଧ-

ମହାବଳ ବାଘ ବଣରେ ଥାଏ

ବନସ୍ତ ଯାକର ରଜା ବୋଲାଏ ।

ଜୀବ ଜନ୍ତୁ ତାକୁ ଥାଆନ୍ତି ଡରି

ହାବୁଡ଼େ ପଡ଼ିଲେ ଖାଏ ସେ ଧରି ।

ଦିନସାରା ଶୁଏ ଗୁହା ଭିତରେ

ରାତି ହେଲେ ନିତି ବୁଲି ବାହାରେ ।

ଦିନେ, ବେଳ ବୁଡ଼ି ବୁଡ଼ି ଯାଉଚି

ବାଘରଜା ତାର ଘରେ ଶୋଇଛି ।

କାଉପଲେ ଗଲେ ଆକାଶେ ଉଡ଼ି

କାଆ କାଆ କାଆ ପକାଇ ରଡ଼ି ।

ନିଦ ଭାଙ୍ଗିଗଲା, ଉଠିଲା ବାଘ

ଆଖି ତରାଟି ସେ ହୋଇଲା ରାଗ ।

ରୋଷେ ବାଘରଜା ବିଚାର କଲା

କାହାର ଏଭଳି ସାହସ ହେଲା !

ନିଦ ଭାଙ୍ଗି ମୋର ଗଲା ସେ କାହିଁ ?

ଦେଖିଲା, କୁଆଡ଼େ କେହି ତ ନାହିଁ ।

ଚାରିଆଡ଼ ଖାଲି ଦିଶୁଛି ନାଲି

ବଣଯାକ ନିଆଁ ଜଳିଲା ଭଳି ।

ଆକାଶ, ପାହାଡ଼ ଯେଉଁଠି ଭେଟ

ନାଲି ଦିଶୁଚି ସେ ପଶ୍ଚିମ ପଟ ।

ରକତର ବଡ଼ ପିଣ୍ଡୁଳା ପରି

କିଏ ସେ ବସିଛି ଆସନ ପାରି ।

ବାଘ ବିଚାରିଲା ରଜା ତ ସିଏ

ଆଉ ଜଣେ ପୁଣି ଆସିଲା କିଏ ?

ଦଣ୍ଡ ଦେବି ଆଣି ଚୁଟି ଘୋଷାରି

ପକାଇବି ତାକୁ ଜୀବନେ ମାରି ।

ଏତିକି ବେଳରେ ପଡ଼ିଛି ବାଗ

ବିଚାରି, ଧାଇଁଲା ରାଗରେ ବାଘ ।

ଯେତିକି ଯେତିକି ଆଗକୁ ଧାଏଁ

ରକତ ପିଣ୍ଡୁଳା ଦେହ ଲୁଚାଏ ।

ତିନି ପାଆ ଛପିଗଲାଣି ଦେହ

ବାଘ ଡାକ ଦେଲା ‘‘ରହ ରେ ରହ ।

କୁଆଡ଼େ ଲୁଚିବୁ ଆଣିବି ଧରି

ହାବୁଡ଼େ ପଡ଼ିଛୁ ଯିବୁ କି ତରି ?’’

ଧାଇଁ ଧାଇଁ ବାଘ ପାହାଡ଼ ତଳେ

ପହଞ୍ଚିଲା ଯାଇ ଏତିକି ବେଳେ ।

ପାହାଡ଼ ତଳରେ ବଡ଼ ପୋଖରୀ

ଝରଣା ପାଣିରେ ରହିଛି ପୂରି ।

ପାଣିରେ ପଡ଼ିଛି ସୂର୍ଯ୍ୟର ଛାଇ

ବାଘ ଖୁସି ହେଲା ତାହାକୁ ଚାହିଁ ।

ରାଗରେ କହିଲା ଏଥର ଆଉ

ହାବୁଡ଼ରୁ ମୋର କୁଆଡ଼େ ଯାଉ ?

ରାଇଜରେ ମୋର କରିବୁ ଘର

ରାଜା ବୋଲି ମୋତେ ନାହିଁ ଖାତିର ?

କୋଉ ବାପ ଏବେ ରଖିବ ତୋତେ

ପାଣିରେ ବୁଡ଼ିକି ଲୁଚିବୁ ମୋତେ ?

ଏତେ କହି ଡିଆଁ ମାରିଲା ରୋଷେ

ଅକାତ ପାଣିରୁ ଆଉ କି ଆସେ ?

ଗରବରେ ଅନ୍ଧ ହୋଇଲା ବାଘ

ବରଣ କଲା ସେ ମରଣ ବାଗ ।

 

ସୁଖ-ଦୁଃଖ

କ- କାଳକ ରଖିଲେ ପଙ୍କରେ ପୋତି

କାଇଞ୍ଚ କେବେ କି ଛାଡ଼ିବ ଜ୍ୟୋତି ?

ଖ- ଖଣ୍ଡିଆ କାନ୍ଥିକି ଯୋଡ଼ି କବାଟ

ଖପରା-ଚଟାର ଟସରି ପାଟ !

ଗ- ଗିଳାଇଲେ କ୍ଷୀର ସାପକୁ ନିତି

ଗରଳ ସିନା ସେ କରିବ ବାନ୍ତି !

ଘ- ଘର କରିଥିବ ଦକ୍ଷିଣ-ମୁହାଁ

ଘାଇ ମୁଦି ପାଣି ଚୁଆରୁ ବୁହା ।

ଙ- ଅଦେଖା ମୁହଁରେ ଚହଟ ହସ

ଅଖାଇ ଦୁଆରେ ପୋଡ଼ା ପାଉଁଶ !

ଚ- ଚାତର ପଣିଆଁ କାହିଁକି ପାଇ

ଚାଉଳ ଭଜାକୁ କମ ସଢ଼େଇ ।

ଛ- ଛୋଟିଆ ନଈର ସୁଅଟି ଟାଣ

ଛୋଟ ମୁହଁ କରେ ବଡ଼ ବଖାଣ ।

ଜ- ଜନମ, ମରଣ, ବରଷା, ଝଡ଼ି

ଜପି ଛିଡ଼ିଗଲା ନାହାକ ଖଡ଼ି ।

ଝ- ଝିମିଟି ଖେଳରୁ ମହାଭାରତ

ଝଗଡ଼ାରୁ ଖାଲି ସରେ ମହତ ।

ଞ- ନଇଁ ପଡ଼ିଥାଏ ଫଳନ୍ତା ଡାଳ

ନିଜର ବଡ଼ିମା ନିଜେ ନ ଗାଳ ।

ଟ- ଟୋପି ଟୋପି ପାଣି ସାଗର ଗଢ଼େ,

ଟେକା ଜମି ଜମି ପାହାଡ଼ ବଢ଼େ ।

ଠ- ଠିକିଲେ ଜଗତେ ଶିଖନ୍ତି ଲୋକେ

ଠକି ମନ କଲେ ଠାକିବ ପଙ୍କେ ।

ଡ- ଡାହାଣୀ ହାତରେ ଛୁଆ ଖେଳାଇ

ଡାକି ବଜାଇ ତା ଜୀବନ ଯାଇ ।

ଢ- ଢୋଲଟି ଭିତରେ ପୋଷିଲେ ମୂଷା

ଢୋକ ତୋରାଣୀର ଆଉ କି ଆଶା ?

ଣ- ନିହଲରେ ଖାଇ ବସିଲେ ବାବୁ:

ନଈ ବାଲି ହେଲେ ସରିବ ସବୁ ।

ତ- ତୋରାଣୀ କି ନାହିଁ ଲୁଣ ପଗଡ଼େ

ତୋଟା ମୂଲ କରି ପହିଜ ବାଢ଼େ ।

ଥ- ଥାତି ପୋତି ରଙ୍କ ସାଇତି ଯାଏ

ଥାନପତି ବନି ବୀର ତା ଖାଏ ।

ଦ- ଦାନ ମିଳେ ଦିଆ-ହାତ ପାଇଁକି

ଦୁଆର ଦିଅନ୍ତି ଅଦିଆ ଦେଖି ।

ଧ- ଧୀର ପାଣି ଧାର ପଥର କାଟେ

ଧାଉଁଡ଼ିଆ ହଳ ବାଟରେ ହଟେ ।

ନ- ନିତି କୁଣିଆଁର ଆଦର ନାହିଁ

ନିତି ମଳୁ ପାଇଁ ବଇଦ କାହିଁ ?

ପ- ପାଞ୍ଚ କଥାରୁ ଯେ ବାହାର ହୁଏ

ପାଞ୍ଚଣ ପାହାର ମଥାରେ ଖାଏ ।

ଫ- ଫଟା କପାଳରେ ସିନ୍ଦୂର ଗାର

ଫୁଟା ଆଖି ତଳେ କଜଳ ଧାର ।

ବ- ବଚନ ମଧୁର ତିଳକ ସରୁ

ବାଛିରଖ ସେ ତ ଠକଙ୍କ ଗୁରୁ ।

ଭ- ଭୁକି ଭିକ ମାଗି କାଟଇ ଦିନ

ଭୁଇଁ ନିନ୍ଦୁଥାଏ କରମହୀନ ।

ମ- ମହୁରୁ ମଧୁର କଅଁଳ କଥା

ମଥାକୁ ମୁକୁଟ, ପାଦକୁ ଜୋତା !

ଯ- ଯାଚିଲେ ନ ରୁଚେ ସର ଲବଣୀ

ଯୋଡ଼ି ହାତ ମାଗେ ଅଇଁଠା ପାଣି ।

ର- ରଙ୍ଗତା ମାଲିକି ସୁନାର ସୂତା

ରାଣୀ ସଙ୍ଗେ କାଣୀ ତୁଳିବା କଥା ।

ଲ- ଲାଜଟି ନ ଥାଏ ଯେବଣ ମୁଖେ

ଲୁଣ ଖାଇ ଗୁଣ ବାହୁନେ ସୁଖେ ।

ବ- ବାହାର ଚିକ୍କଣ ଭିତରେ ପୋଲା

ବାଡ଼ିରେ କବାଟ, ଦାଣ୍ଡଟା ମେଲା ।

ଶ- ଶଗଡ଼ ଯାଉଛି ସଳଖ ସିଧା

ଶୁଗୁଡ଼ାକ ପାଇଁ ପଡ଼ିଛି ବାଧା ।

ଷ- ଷଠୀଘରେ ଥାଇ ଡେଇଁଲା ପିଲା

ଷଡ଼ରସ ଦେଲି ଅରୁଚା କଲା ।

ସ- ସାଇତା ଥାତିକି ବହପ ଥାଏ

ସାଉଁଟା କାଣ୍ଡ କି ଯୁଦ୍ଧକୁ ପାଏ ?

ହ- ହାଟୁଆ ହୁଡ଼ିଲେ ହାଟ ପାଳିକ

ହଳିଆ ହୁଡ଼ିଲେ ବରଷଯାକ ।

କ୍ଷ- କ୍ଷିତିରେ ଜନମ ହୋଇଲେ ଲୋକ

କ୍ଷଣେ ସୁଖ ଭୋଗ, କ୍ଷଣକେ ଦୁଃଖ ।

 

 

 

 

 

 

 

ଭାଇ ଭାଗ

କଣ୍ଟା ବାଉଁଶର ଗହଳ ବୁଦାରେ

ଛଞ୍ଚାଣ ଦେଇଛି ଛୁଆ

ମାସ ଦୁଇଟା ତ ଆୟୁଷ ତାଙ୍କର

ତିନିପିଲା ଚିଆଁ ଚିଆଁ ।

 

ଛଞ୍ଚାଣ ଯାଇଛି ନଟା ବଣ ବୁଲି

ପିଲାଙ୍କୁ ଆହାର ଦେଇ

ଭାଗ ବାଣ୍ଟିବାକୁ ତିନି ପିଲାଯାକ

ହେଲେ ଭାରି ଖୁଆଖୋଇ ।

 

କୁନି କୁନି ଥଣ୍ଟ ଗୋଜିଆ ଗୋଜିଆ

ଖୁମ୍ପାଖୁମ୍ପି ଯହୁଁ ହେଲେ

ସବା ସାନ ପିଲା ସହି ନ ପାରିଲା

ଖସି ପଡ଼ିଗଲା ତଳେ ।

 

ଚୁଉଁ ଚୁଉଁ ଚୁଉଁ କେତେ ସେ କାନ୍ଦିଲା

ବସାରେ ପଶିବା ପାଇଁ

ଖଣ୍ଡିଉଡ଼ା ଏବେ ଦେଇ ତ ଶିଖିଛି

ଉଡ଼ି ଅବା ଯିବ କାହି ?

 

ଏତିକି ବେଳରେ ସିହାଣା ଶିଆଳ

ଯାଉଥିଲା ସେହି ବନେ

ପିଲା ଚଢ଼େଇର ଚୁଉଁ ଚୁଉଁ ଡାକ

ଶୁଣିପାରିଲା ସେ କାନେ ।

 

ଦୂରରୁ ଦେଖି ସେ ଛଞ୍ଚାଣ ଛୁଆକୁ

ଜିଭରୁ ବହିଲା ଲାଳ

କଅଁଳ ମାଉଁସ ଚାଖିବା ପାଇଁକି

ହେଲା ଅତି ଅସମ୍ଭାଳ ।

 

ମନକଥା ମନେ ଚାପି, ପିଲା ଆଗେ

ଶିଆଳ କହିଲା-ଧନ,

କାହିଁକି କାନ୍ଦୁଛୁ କିଏ ମାଇଲା କି

ଆହା ମୋ ରଙ୍କରତନ !

 

ମଧୁର ବଚନ ଶୁଣି ଛୁଆ କହେ-

ବାଉଁଶ ବଣେ ମୋ ଘର,

ବଡ଼ ଭାଇ ଦୁହେଁ ମିଶି ମାଡ଼ ମାରି

ମୋତେ କରିଦେଲେ ପର ।

 

ମାଆ ଦେଇଗଲା ଆହାର ଆମକୁ

ଖାଇବାକୁ ବାଣ୍ଟିକୁଣ୍ଟି

ଭାଗ କାଟି ମୋର କହିଲେ ସେ ଦୁହେଁ

ଚିପି ଦେବେ ବୋଲି ତଣ୍ଟି ।

 

ଶିଆଳ କହିଲା-ଦେଖିଛି ବହୁତ

ଡାହୁକ ଛୁଆଙ୍କୁ ବଣେ

ଦେଖି ନ ଥିଲି ମୁଁ ସତେ କେଉଁଠାରେ

ତମ ପରି ଆଉ ଜଣେ ।

 

ବାଉଁଶ ବଣରେ ରଜା ହେବା ପାଇଁ,

ତୁମେ ଏକା ଯୋଗା ପୁଅ,

ରଜା ହେଲେ ମୋତେ ମନ୍ତ୍ରୀ ଶାଢ଼ୀ ଦେବ

ଏ ବଚନ ଆଗେ ଦିଅ ।

 

ବୁଦାମୂଳେ ଯାଇ ଡାକ ସେ ଭାଇଙ୍କି

ଲଢ଼ାଇ କରିବାପାଇଁ

ଯୁଦ୍ଧରେ ଦୁହିଁଙ୍କୁ ହରାଇ ଦେବି ମୁଁ

ତୁମ ପଛେ ପଛେ ଥାଇ ।

 

ଛାତି ଫୁଲିଗଲା ଡାହୁକ ପିଲାର

ଶିଆଳର ବଳ ପାଇ

ଦୁଇ ଭାଇଙ୍କି ସେ ଲଢ଼ିବା ପାଇଁକି

ଡାକ ଦେଲା ତଳେ ଥାଇ ।

 

ଗରବରେ ଫୁଲି ଭାଇ ଦୁହେଁଯାକ

ବସାରୁ ବାହାର ହୋଇ,

ସାନ ଭାଇ ପାଖେ ପହଞ୍ଚିଲେ ରାଗେ

ଖଣ୍ଡିଉଡ଼ା ବେଗେ ଦେଇ ।

 

ଅଳପ ଦୂରରେ ସିହାଣା ଶିଆଳ

ବସିଥିଲା ତାକୁ ଟାକି

ଦୁଇ ଛୁଆଙ୍କୁ ସେ ଗାଉଁ ଗାଉଁ କରି

କଳ ତଳେ ଦେଲା ଯାକି ।

 

ସାନଭାଇ କହେ କି କଲୁ କି କଲୁ

ଭାଇକି ଦେଲୁ ମୋ ଖାଇ

କାହା ଉପରେ ମୁଁ ରାଜୁତି କରିବି

ଭାଗ ମୋର ଲୋଡ଼ା ନାହିଁ ।

 

ଶିଆଳ କହିଲା-ଏଡ଼ିକି ଓଲୁ ତୁ

ଚିହ୍ନି ନ ପାରିଲୁ ମୋତେ

ଖଞ୍ଜ ଉଣ୍ଡୁଥିଲି ଦୁହିଙ୍କୁ ଖାଇଲି

ବାକି ରଖିବି କି ତୋତେ ?

 

ପେଟରେ ତିନିହେଁ ଭାଇ ଭାଗ ପାଇଁ

କଳି କରୁଥାଅ ବସି

ଖୁମ୍ପି ପକାଇବ ତୋ ମାଆ ଆସିଲେ

ତୋତେ ଖାଇଯାଏ ଖସି ।

 

 

 

 

 

-କାହାକୁ କିଏ-

ନେଳିଆ ମେଘକୁ ସୁନ୍ଦର ଦିଶଇ

ଧୋବ ଫରଫର ଜହ୍ନ

ଆଖିକି ସୁନ୍ଦର କାଳିଆ କଜ୍ୱଳ

ମଥାକୁ ଟୋପି ଚନ୍ଦନ ।

 

ବଗିଚା ସୁନ୍ଦର ଫୁଲ ଫୁଟିଥିଲେ

ଫୁଲକୁ ସୁନ୍ଦର ବାସ,

ଆହୁରି ସୁନ୍ଦର ଦିଶଇ ଭଅଁର

ଉଡ଼ୁଥିଲେ ଚଉପାଶ ।

 

ପଖାଳ ଭାତକୁ ବାଇଗଣ ପୋଡ଼ା

ତବତ ଭାତକୁ ଘିଅ,

ବରଷା ପାଗରେ ମୁଢ଼ିକି ନଡ଼ିଆ

ଦାନ୍ତ ଥିଲା ଲୋକେ ଖାଅ ।

 

ମହୁ, ଗୁଡ଼ ଠାରୁ ଆହୁରି ମଧୁର

କଅଁଳ କଅଁଳ କଥା,

ଆଖିକି ସୁନ୍ଦର ଦିଶୁଥାଇ ଯେବେ

ବାନ୍ଧି ଜାଣିଥିବ ମଥା ।

 

ଭଜାଟି ସୁନ୍ଦର ଉଷୁମ ଉଷୁମ

କାଞ୍ଜିଟି ଶୀତଳ ଭଲ,

ତିଉଣ ସୁନ୍ଦର ଯୋଗାଡ଼ି ଜାଣିଲେ

ନିଆଁ, ପାଣି, ଲୁଣ, ତେଲ ।

 

ବାନ୍ଧବ ସୁନ୍ଦର ଦୁଃଖ ବେଳେ ଯେବେ

ଦୁଆରେ ହୁଏ ସେ ଠିଆ,

ପଡ଼ିଶା ସୁନ୍ଦର ଚଳୁଥିବ ଯେବେ

ଭଲ ମନ୍ଦ ଦିଆନିଆ ।

 

ବରଷଯାକରେ ଫଗୁଣ ମାସଟି

ସବୁଠୁଁ ସୁନ୍ଦର ଲାଗେ,

ଅଝଟିଆ ପିଲା ଅଳିଟି ସୁନ୍ଦର

ଥିଲାବେଳେ ଯେବେ ସଗେ ।

 

କ୍ଷେତକୁ ସୁନ୍ଦର ପାଚିଲା ଫସଲ

ଖଳାକୁ ସୁନ୍ଦର ମେଢ଼ି

କାକୁଡ଼ି ବୁଦାକୁ ରଞ୍ଜାଟି ସୁନ୍ଦର

ଲତାକୁ ସୁନ୍ଦର କଢ଼ି ।

 

ହିଡ଼ ମୁଣ୍ଡେ ସାଉ ରାଜାଠୁ ସୁନ୍ଦରି

ପୋଛୁଥିଲେ, ମୁଣ୍ଡଝାଳ,

ଗତିର ଖଟାଇ ଲାଗିଖିଆ ଭାତ

ଦିହରେ ପୂରାଏ ବଳ ।

 

ଦୂର ପରବତ, ଦୂର ବନ୍ଧୁଘର

ସୁନ୍ଦର ନ ଜାଣେ କିଏ,

ଝିଅ ବାପଘର ସୁନ୍ଦର ବୋଲାଏ

ସବୁବେଳେ ଯେବେ ଦିଏ ।

 

ମରଦ ପୁଅକୁ ସାହସ ସୁନ୍ଦର

ନାରୀଙ୍କି ସୁନ୍ଦର ଲାଜ

କାଠର କୁଣ୍ଢେଇ ସୁନ୍ଦର ଦିଶଇ

ମଣ୍ଡି ହୋଇଥିଲେ ସାଜ ।

 

ଦେଉଳ ଉପରେ କଳସ ସୁନ୍ଦର

ଉଡ଼ୁଥିଲେ ତହିଁ ନେତ,

ତୋଟା ଗହଳକୁ କୋଇଲି ସୁନ୍ଦର

ଗାଉଥିଲେ କୁହୁ ଗୀତ ।

 

ପୋଖରୀକି ହୁଡ଼ା ସୁନ୍ଦର ଦିଶଇ

ନଈକି ସୁନ୍ଦର ନାଆ,

ଗ୍ରୀଷମ କାଳରେ ସୁନ୍ଦର ଲାଗଇ

ଦେହକୁ ଦକ୍ଷିଣା ବାଆ ।

 

ସରଗରୁ ବଳି ଆହୁରି ସୁନ୍ଦର

ଆଖିକି ଆପଣା ଗାଆଁ ।

ଥାତି ପୋତା ଠାରୁ ଆହୁରି ସୁନ୍ଦର

ଥାପି ଗଲେ ବାପ ନାଆଁ ।

 

 

 

 

 

 

-କହିଲ ଦେଖି-

ଦେଖିଛ କି ଆମ୍ବଗଛେ

ଶିମ୍ବ ଫଳେ କେଉଁଠି ?

ଖଞ୍ଜା ହୋଇ ରହିଛି ତ

ଯାହାପାଇଁ ଯେଉଁଟି ।

 

କାନ ସବୁ ଶୁଣେ ସିନା

ଆଖି ପରି ଚାହେଁ ନା,

ମୁଣ୍ଡ ସବୁ ଭାବି ପାରେ

ତୁଣ୍ଡ ପରି କହେ ନା ।

 

କୁକୁରଟା କୁଦା ମାରେ

ଗଛ ଚଢ଼େ ବିଲେଇ,

ଖଣ୍ଡା ସିନା ହାଣିପାରେ

ଛୁଞ୍ଚି କରେ ସିଲେଇ ।

 

ଗୋଡ଼ ସିନା ଚାଲିପାରେ

ହାତ ପରି ଧରେ ନା,

ତଣ୍ଟି ସିନା ଗିଳିପାରେ

ଦାନ୍ତ ତାହା ପାରେ ନା ।

 

ହରିଣର ଶିଙ୍ଗ ଅଛି

ବାଘର ତା ନାହିଁ ତ,

ବାଘକୁ ଡରନ୍ତି ଲୋକେ

ନଖ, ଦାନ୍ତ ପାଇଁ ତ ।

 

ବରଷାରେ ନଈ ବଢ଼େ

ବଢ଼େ ନାହିଁ ଦରିଆ,

ଶାଢ଼ୀ କାମ କେବେ ହେଲେ

ଚଳାଇବ କରିଆ ?

 

ଟାଙ୍ଗିଆରେ ହାଣିହୁଏ

କାଠ ଚିରେ କରତ,

ପଶୁ ଦେହ ଲୋମ ଭରା

ଚଢ଼େଇର ପର ତ ।

 

ପାଣିରେ ପହଁରେ ମାଛ

ଭୂଇଁରେ ସେ ବୁଲେ ନା,

ଘୁଷୁରେ ଭୂଇଁରେ ସାପ

ଗୋଡ଼ରେ ସେ ଚାଲେ ନା ।

 

କୋଇଲିର କୁହୁ ଡାକ

ସୁଖ ଲାଗେ କାନକୁ,

କାଉ ଡାକେ କା’ କା’

ଚିଡ଼ିମାଡ଼େ ମନକୁ ।

 

ପକ୍ଷୀ ସିନା ଉଡ଼ିପାରେ

ମଣିଷ ତା ପାରେ ନା,

ଗଛରେ ଫୁଲଟି ଧରେ

ପଥରରେ ଧରେ ନା ।

 

ପୋଖରୀରେ ପଦ୍ମ ଫୁଟେ

ସମୁଦ୍ରରେ ଫୁଟେ ନା

ହାତୀ ଚାଲେ ଝୁଲି ଝୁଲି

ଘୋଡ଼ା ପରି ଛୁଟେ ନା ।

 

ତେଲ କିଆଁ ଜଳେ କହ

ପାଣି କିଆଁ ଜଳେ ନା

ନଈରେ ତ ଡଙ୍ଗା ଚାଲେ

ଶୁଖିଲାରେ ଚଳେ ନା ।

 

ମଣିଷ ତ ଗୀତ ଗାଏ

ପଶୁପକ୍ଷୀ ଗାଏ ନା

ସିଂହ ବାଘ ଦେହ ବଳ

ମଣିଷର ଥାଏ ନା ।

 

ରାତି ହେଲେ ଜହ୍ନ ଉଏଁ

ସୂର୍ଯ୍ୟ ଉଏଁ ସକାଳେ,

ଖରାଦିନେ ଝାଳ ବୁହେ

ମନ ଡାକେ ପଖାଳେ ?

 

ମହୁମାଛି ଖୋଜେ କିଆଁ

ଫୁଲମହୁ କହ ତ

ଗଣଗଣା ମାଛି ଖୋଜେ

ଘାଆ ପୂଜ ରକତ ।

 

ଦୁନିଆଁରେ ଏ ଭିଆଣ

କିଏ କଲା କାହିଁକି ?

ବେଳେ ବେଳେ ମନ ହୁଏ

ଜାଣିବାର ପାଇଁକି ?

 

କାରଣଟା ଭାବି ଭାବି

ଥଳକୂଳ ପାଏନା

ପଚାରିଲେ ପଣ୍ଡିତଙ୍କୁ

ଉତ୍ତର କେ ଦିଏ ନା ।

 

-ଛି, ଛି-

ଛି, ଛି, ଛି, ଛି,

ତବତ ଭାତରେ ବାଇଗଣ ପୋଡ଼ା

ପଖାଳ ଭାତରେ ଘି ।

 

ଛି, ଛି, ଛି, ଛି,

ଦିଅଁ ପାଇଁ ସିନା ସଜ ମଲ୍ଲୀହାର

କୁକୁର ବେକରେ କି ?

 

ଛି, ଛି, ଛି, ଛି,

ଅଢ଼େଇ ଦିନକୁ ଦୁନିଆକୁ ଆସି

କଳିଗୋଳ କାହିଁକି ?

 

ଛି, ଛି, ଛି, ଛି,

ହାତ ଗୋଡ଼ ଥାଇ ଆପେ ନ ଅରଜି

ଚାହିଁ ଥାଅ ଭାଇକି ?

 

ଛି, ଛି, ଛି, ଛି,

ଭଜାଟି ଶୀତଳ ଦହଡ଼ ଆମ୍ବିଳ

ମଜା ତାର ଥାଏ କି ?

 

ଛି, ଛି, ଛି, ଛି,

ଆଖିରେ ନ ଦେଖି ତରଛି ପଡ଼ୁଛ

ସତ ମଣି ଛାଇକି ?

 

ଛି, ଛି, ଛି, ଛି,

ଭୋକ ବିକଳରେ ତାଟିଆ କାମୁଡ଼ା

କୋଉ ଶୋଭା ପାଏ କି ?

 

ଛି, ଛି, ଛି, ଛି,

ଅଦାର ବେପାରି ଜାହାଜ ମୂଲେଇ

ଲାଭଟା ତହିଁରେ କି ?

 

ଛି, ଛି, ଛି, ଛି,

ମେଘ ଗରଜିଲେ ବରଷା ନ ଥିଲେ

କାହା ଦୁଃଖ ଯାଏ କି ?

 

ଛି, ଛି, ଛି, ଛି,

ଫୁଲ ହୋଇଥିବ ବାସନା ନା ଥିବ

ଫୁଲରେ ସେ ଲେଖା କି ?

 

 

 

 

 

 

 

-ଭଲ ମନ୍ଦ-

ନିଜର ମୁଖରେ ନିଜ ବଢ଼ାଇ

ବଡ଼ଲୋକ କେବେ କରଇ ନାହିଁ ।

ଲକ୍ଷେ ଟଙ୍କା ବୋଲି ଆପଣା ମୂଲ

ହୀରା କି ତୁଣ୍ଡରେ କହଇ ବୋଲ ?

 

ପରପାଇଁ ଖାଲ ରଖିଲେ ଖୋଳି

ନିଜେ ଦିନେ ତହିଁ ପଡ଼ିବ ଗଳି ।

ଯେ ଜନ ପାଞ୍ଚଇ ପରର ମନ୍ଦ

ମନ୍ଦ ତାର ତେଣେ ପାଞ୍ଚେ ଗୋବିନ୍ଦ ।

 

ଦୁଃଖୀ ହେଉ ଜଣେ ମନୁଷ୍ୟ ସେ ତ

ଦେହ ଚିରି ଦେଇ ଦେଖ ରକତ ।

ଅଛି ହାତ ଆଉ ଅଛି ତ ମଥା

ତୁମପରି ସେ ତ କହୁଛି କଥା ।

 

ଆଜି ହେବା କାମ ଏଇନେ ସାର

କାଲି ହେବା କାମ ଆଜିରେ କର ।

ଆଗକୁ ପାହୁଣ୍ଡେ ଚାଲିବା ପାଇଁ

କି ହୋଇବ ତାର ଠିକଣା ନାହିଁ ।

 

ହାତୀପରା ଜୀବ କି ବଳବନ୍ତ

ମାହୁନ୍ତକୁ ମାନି ଚଳୁଛି ସେ ତ ।

ଭେଟା କୁକୁରକୁ ନ ମିଳେ ଦାନା

ଖଲି ଚାଟି ଚାଟି ବୁଲୁଛି ଅନାଁ ।

 

ଚନ୍ଦନ ଗଛରେ ସାପର ବାସ

ଗଛରେ ନ ଲାଗେ ତିଳେହେଁ ବିଷ ।

ପ୍ରକୃତି ଉତ୍ତମ ଅଟଇ ଯାର

କି କରି ପାରିବ କୁସଙ୍ଗ ତାର ?

 

ଅରଜିଲା ଶାଗ ପଖାଳ ଖାଇ

ଆପଣା ଘରେ ଯେ ସନ୍ତୋଷ ଥାଇ,

ପର ଧନରେ ଯେ ନ ଦିଏ ଆଖି

ଜଗତରେ ଏକା ସେଇଟି ସୁଖୀ ।

 

ହାତ ଗୋଡ଼ ଥାଇ ପରକୁ ଚାହିଁ

ବସିରହେ ଯେହୁ ନିକମା ସେହି ।

ଶୋଷେ ମରେ ପାଣି କୂଳରେ ଥାଇ,

ତାପରି ମୂରୁଖ ଜଗତେ ନାହିଁ ।

 

ଏଭଳି ଥାନରେ ବସିବ ଯାଇ

ଉଠ ବୋଲି କେହି କହିବ ନାହିଁ ।

ଜଗି କହୁଥିବ ଏଭଳି କଥା

ମିଛ ବୋଲି କେହି ନ କହିବେ ତା ।

 

ଅତି କୁହାଳିଆ ସଭାରେ ହାରେ

ଅତି ତୁନିମୁନି ଭୋଜିରେ ମରେ ।

ଜଳ ବିହୁନରେ ଜଗତ ନାଶ

ଜଳ ବହୁଳରେ ନ ମିଳେ ବାସ ।

 

ଡେଙ୍ଗା ଗଛ ଝଡ଼େ ପାଇ ବତାସ

ନିହଲରେ ତଳେ ଶୋଇଛି ଘାସ ।

ଡେଙ୍ଗା ମୁଣ୍ଡେ ସିନା ଠେଙ୍ଗା ବାଜଇ

ନଇଁ ପଡ଼ିଥିଲେ ବିପଦ ନାହିଁ ।

 

ଖଣିରୁ ଜନମ କୋଇଲା, ହୀରା

ଜଣେ କଳା ପୁଣି ଜଣେ ତ ଗୋରା ।

ହେଲେ ହେଉ ଏକା ଗରଭୁଁ ଜାତ

ଜଣେ ଖାଏ, ଜଣେ ପତାଏ ହାତ ।

 

ସୁନା ପଞ୍ଜୁରୀରେ ପୋଷିବ ପେଚା

ଦୁଧ ଭାତ ଦେବ ମେଞ୍ଚାକୁ ମେଞ୍ଚା ।

ସେ କାହୁଁ ପାଲଟି ହୋଇବ ସାରୀ

ପଢ଼ିବ କି ରାମ ଗୋବିନ୍ଦ ହରି ?

 

ଗଙ୍ଗାରେ ଧୋଇଲେ ନେଇ ଅଙ୍ଗାର

କଳାରଙ୍ଗ ଗୋରା ହେବ କି ତା’ର ?

ରାତିଦିନ ଯେତେ ମାଠ ନିଠାଇ

ଦରପୋଡ଼ା କାଠ ବଦଳେ କାହିଁ ?

 

ପର ଅଣହିତ ଚିନ୍ତା ନ କର

କାଦୁଅ ଫିଙ୍ଗିଲେ ବାଜେ ପଥର ।

ଦୟା ପଦ ଅଛି କଣ୍ଠରେ ଯାର

ମଣିଷ ନୁହେଁ ସେ ବଡ଼ ଠାକୁର ।

 

ଗଛକୁ ଫୋପଡ଼ ମାରିଲେ ହେଳେ

ଦିଅଇ ଫଳ ସେ ମାଡ଼ ବଦଳେ ।

ପେଡ଼ା ହୁଏ ଆଖୁ ସହେ କଷଣ

ରସ ଦିଏ ଏହା ସାଧୁ ଲକ୍ଷଣ ।

 

ଦେଶମାଟି ନିଜ ମାଆରୁ ବଳି

ଦେଶ ହିତେ ଆତ୍ମା ଦିଏ ଯେ ବଳୀ ।

ଚିହ୍ନା ଅଚିହ୍ନାରେ ନ ମଣେ ପର

ଯଶବାନା ଉଡ଼େ ଜଗତେ ତାର ।

 

ଦି’ଦିନକୁ ଆସେ ବିପଦ ସିନା

ବନ୍ଧୁ ବୋଲି ତାକୁ କରିବ ଘେନା ।

ଚିହ୍ନାଇ ଦେଇ ସେ ବନ୍ଧୁ ଭଗାରି

ବେଳ ଦେଖି ବଳେ ଯାଏ ବାହାରି ।

 

ପରାଧୀନ ଅଟେ ଜୀବ ଯାହାର

ଶାନ୍ତି ସୁଖ କାହିଁ ଥାଏ ତାହାର ?

ବାଘ ପରା ଜୀବ ବନ୍ଧନେ ଥାଇ

ଚାବୁକ ମାଡ଼କୁ ରହେ ସେ ସହି ।