ମାଣବସା

ମାଣବସା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

(ପ୍ରସ୍ତାବନା)

(ମିଳିତ କଣ୍ଠ ସଙ୍ଗୀତ)

ଜୟ ଜୟ ମହାଲକ୍ଷ୍ମୀ ଜଗତ ବନ୍ଦିନୀ

ବିଷ୍ଣୁ ପାଟରାଣୀ ଜୟ ସାଗର-ନନ୍ଦିନୀ ।

ଭକତିରେ ପୂଜଇ ଯେ ତୋର ପାଦ ବେନି,

ଚଉବର୍ଗ ଫଳ ଲାଭକରେ ସେ ଜନନୀ ।

ପ୍ରସନ୍ନା ହୁଅ ଗୋ ଦେବି ! ନିବେଦନ ଘେନି,

ଜଗତ ଜନର ତୁହି ଶୁଭ ପ୍ରଦାୟିନୀ,

ଜଣାକରୁଁ କରଯୋଡ଼ି ପୟରେ ପ୍ରଣମି ।।

 

 

 

 

 

ପ୍ରଥମ ଦୃଶ୍ୟ

(ଜଗନ୍ନାଥ ବସିଥିଲେ ! ମହାଲକ୍ଷ୍ମୀ ଆସି ପ୍ରଣାମ କଲେ)

ଜଗନ୍ନାଥ-                        (ଗୀତ)

ଦେବୀ ଗୋ ! ଅବେଳାରେ କାହିଁ ପାଇଁ ଗୋ

ଅବେଳାରେ କାହିଁ ପାଇଁ

ଆସି ଅଛ କେଉଁ କାରଣରେ ଆଜି

କହ କହ ମହାଦେଈ ଗୋ,

କହ କହ ମହାଦେଈ ।

 

ଲକ୍ଷ୍ମୀ- ଦାସୀଏ କହିଲେ ଯାଇ ହେ,

ଦାସୀଏ କହିଲେ ଯାଇ

ମୃଗୟା କାରଣେ କାଲି ପରଭାତୁଁ

ବନେ ଯିବେ ଦୁଇ ଭାଇ ହେ,

ବନେ ଯିବେ ଦୁଇ ଭାଇ ।

 

ଜଗନ୍ନାଥ- ସତକଥା ଅଛ କହି ଗୋ,

ସତକଥା ଅଛ କହି,

ମୃଗୟା ମାନସେ କାଲି ପ୍ରଭାତରୁ

ଯିବୁଁ ଆମେ ସାଙ୍ଗ ହୋଇ ହେ

ଯିବୁଁ ଆମେ ସାଙ୍ଗ ହୋଇ ।

 

ଲକ୍ଷ୍ମୀ- ମାର୍ଗଶୀର ଗୁରୁବାର ହେ,

ମାର୍ଗଶୀର ଗୁରୁବାର

ଦଶମୀରେ ଲକ୍ଷ୍ମୀ ପୂଜା କାଲି ହେବ

ଯିବି ମୁଁ ବୁଲି ନଗର ହେ

ଯିବି ମୁଁ ବୁଲି ନଗର ।

ଅନୁମତି ନେବା ପାଇଁ ହେ

ଅନୁମତି ନେବା ପାଇଁ

ଦଶମୀ ପାଳନା ଯୋଗାଡ଼ି ସାରିଛି

ବନେ ଯିବ ତାହା ଖାଇ ହେ

ବନେ ଯିବ ତାହା ଖାଇ ।

 

ଜଗନ୍ନାଥ- ସୁଖୀ ହେଲି ଶୁଣି ମୁହିଁ ଗୋ

ସୁଖୀ ହେଲି ଶୁଣି ମୁହିଁ

ନଗରରେ ବୁଲି ବାହୁଡ଼ିବ ତୁମେ

ଘରେ ଘରେ ପୂଜା ପାଇ ଗୋ

ଘରେ ଘରେ ପୂଜା ପାଇ ।

(ଲକ୍ଷ୍ମୀ ପ୍ରଣାମ କରି ଚାଲିଗଲେ । ଜଗନ୍ନାଥ ତାଙ୍କୁ ବାଟ ବଳାଇଦେଲେ ।)

ଦ୍ୱିତୀୟ ଦୃଶ୍ୟ

(ରାତି ଫସରଫାଟି ଆସୁଛି । ଗାଆଁ ମୁଣ୍ଡ ଚଣ୍ଡାଳଘରର ବୋହୂ ଶିରୀଆ ଗାଧୋଇ ଆସି ବାଟ କଡ଼ରେ ପଦ୍ମ ପତ୍ରରେ ବନ୍ଧା ପୁଡ଼ାଟିଏ ରଖିଦେଇ ଘରର ବାହାର ପଟ ଓଳାଉଥିଲା ଓଦା ଲୁଗାରେ । ଏତିକିବେଳେ ତା’ର ଆଗ ଆଡ଼ୁ ଆସୁଛି ରମା । ଶିରୀଆ ଥୋଇଥିବା ପୁଡ଼ାପ୍ରତି ତାର ନଜର ନାହିଁ । ଆଉ ପାହୁଣ୍ଡକରେ ସେ ପୁଡ଼ାକୁ ଝୁଣ୍ଟି ପଡ଼ିଥାନ୍ତା, ଏତିକିବେଳେ ଶିରୀଆ ରମାକୁ ଦେଖି କହିଲା)-

ଶିରୀଆ- ହାଁ ହାଁ, ଝୁଣ୍ଟିବ-ଝୁଣ୍ଟିବ-ଝୁଣ୍ଟିବ, ଟିକିଏ ତଳକୁ ଅନାଇଁ ଆସ ।

ରମା- କିଏ, ଶିରୀଆ ମାଉସୀ କିଲୋ ? ଏଠେଇଁ ବାଟ କଡ଼ଟାରେ ପଦ୍ମ ପତ୍ରରେ କି ପୁଡ଼ା ବାନ୍ଧି କିଏ ଥୋଇଛି ?

ଶିରୀଆ- କିଏ ରମାଦେଈ କି ?

ରମା- ହ, ଶିରୀଆ ମାଉସୀ ! ତୁ ଏବେ ରାତି ଫସର ନ ଫାଟୁଣୁ ଦାଣ୍ଡ ଓଳଉଚୁ ?

ଶିରୀଆ- ହଁ ହେ ଦେଈ ! ପୋଖରୀକି ଗାଧୋଇ ଯାଇଥେଲି ଯେ- ଦେଖିଲି, ପଦ୍ମଫୁଲ ଫୁଟିଚି । ଆଙ୍କୁଡ଼ି ବଢ଼ାଇ ଦିଟା ତୋଳି ଆଣିଲି । ତାକୁଇ ପଦ୍ମ ପତ୍ରରେ ପୁଡ଼ା ବାନ୍ଧି ବାଟ ପାଖରେ ଥୋଇ ଦେଇଚି । ଦାଣ୍ଡ ଖରିକିସାରି ଘରକୁ ନେବି । ରାତି ପାହିଲେ ତ-

ରମା- ଏଡ଼େ ବେଗି ଗାଧୋଇ ଯାଇଥିଲୁ କାହିଁକି ମ ?

ଶିରୀଆ- ରାତି ପାହିଲେ ପରା ସୁଦଶାବ୍ରତ- ମାଣବସା ଗୁରୁବାର । ଦିନ ଘଡ଼ିକୁ ତ ବାର ଦୁଆର କାମ କରିବାକୁ ଯିବି । ସେଇଥିପାଇଁ ରାତି ଥାଉଁ ଥାଉଁ ଗାଧୋଇ ନ ଆସିଲେ, ମାଣ ବସେଇବି କେତେବେଳେ ? ଲକ୍ଷ୍ମୀ ପୂଜା ସାରିବି କେତେବେଳେ ?

ରମା- ତୁ ଏବେ ଲକ୍ଷ୍ମୀପୂଜା କରିବୁ ?

ଶିରୀଆ- ଅଚ୍ଛବ ଘର ବୋଲି ଦିଅଁ ଦେବତାଙ୍କୁ ମୁଣ୍ଡିଆ ମାରିବାକୁ ମନା ? ଦିଟା ପଦ୍ମଫୁଲ ଆଣିଛି – ମା’ ଲକ୍ଷ୍ମୀଙ୍କ ପୂଜାରେ ଲଗେଇବି ବୋଲି ।

ରମା- ତୋର ତ ବଡ଼ ଭଗତି ଲୋ !

ଶିରୀଆ- ଆ-କି ଭଗତି ମଁ ସେ ? କୋଉଥିକି ପାଏ ? ଖାଲି ମାଆଙ୍କୁ ଡାକି, ମୁଣ୍ଡିଆ ମାରିବା କଥା । ତୁମେ କୁଆଡ଼େ ରାତି ନ ପାହୁଣୁ ବାହାରିଚ ଦେଈ ?

ରମା- ଆଲୋ, ସେଇ ମାଣବସା । ବୋଉ କହିଲା, ବେଗେ ଗାଧୋଇ ଆସିବାକୁ ଯେ- ଯାଉଚି ପୋଖରୀକି ।

ଶିରୀଆ- ହଉ ହଉ, ଯାଅ ଦେଈ ! ମୁଁ ଯାଉଚି । ତେଣେ ଘର ଦୁଆର ଲିପା ପୋଛା ହେଇନି ।

ରମା- ଯା, ତୋ ଭଗତି ଦେଖି ତ ମୁଁ ତାଟକା ହୋଇଯାଉଚି । ଯା, ଯା,-

(ଦୁହେଁ ଦୁଇ ଦିଗରେ ଚାଲିଗଲେ)

 

 

 

 

 

ତୃତୀୟ ଦୃଶ୍ୟ

(ଦେଉଳ ଗମ୍ଭୀରା ଭିତରେ ବସିଥିଲେ ଜଗନ୍ନାଥ, ପ୍ରବେଶ କଲେ ବଳଭଦ୍ର)

ବଳଭଦ୍ର-                  (ଗୀତ)

ଆସିଲି ମୁଁ ପଚାରିବା ପାଇଁ,

ରାତି ପାହିଆସେ            ଦେଉଳ ଭିତରେ

ଲକ୍ଷ୍ମୀଙ୍କର ଦେଖା ନାହିଁ ।

ଜାଣିଛ କି ତୁମେ            କାହିଁ ଯାଇଛନ୍ତି

ରହିଛନ୍ତି ଅବା କାହିଁ ? ।।୦।।

 

ଜଗନ୍ନାଥ-

ଶୁଣିଲେ ମୋଠାରୁ            ମୃଗୟା ବିନୋଦେ

ବନେ ଯିବା ଦୁଇ ଭାଇ,

ସୁଦଶା ନାମରେ            ତାଙ୍କ ବ୍ରତ ପୂଜା-

ବିଧାନ ଦେଖିବା ପାଇଁ-

ନଗର ବୁଲି ସେ            ବାହାରିବେ ବୋଲି

ଗଲେ ମୋତେ କାଲି କହି ।

ବଳଭଦ୍ର- କିନ୍ତୁ କାହାନ୍ତି ସେ ? କାଲି ଘଟଣା ତୁମେ ଜାଣ ନାହିଁ । ବଣରୁ ଫେରିବା ବାଟରେ ଚାଳଘରଟିଏ ଦେଖିଲି । ସେଇଟି ନିଶ୍ଚୟ କୌଣସି ଅଚ୍ଛବ ଲୋକର ଘର । ତା ନୋହିଲେ ଗାଆଁଠାରୁ ଦୂରଛଡ଼ାରେ ନ ଥା’ନ୍ତା । ସେଇ ଘରର ପିଣ୍ଡା ଉପରେ ଲକ୍ଷ୍ମୀ ଠିଆ ହୋଇଛନ୍ତି । ଜଣେ ସ୍ତ୍ରୀଲୋକ ତାଙ୍କ ପାଦ ଧୋଇ, ନିଜ ପିନ୍ଧା କାନିରେ ପୋଛି ଦେଲା । ଲକ୍ଷ୍ମୀ ତାକୁ କଲ୍ୟାଣ କରି, ଧନ-ଜନ-ଗୋପ-ଲକ୍ଷ୍ମୀ ଲାଭ ଲାଗି ବର ଦେଲେ ତାମୁଣ୍ଡ ଦୁଇ ହାତରେ ଆଉଁଷି । ଅଚ୍ଛବ ଚଣ୍ଡାଳୁଣୀ ସେ । ପାଦଧୋଇ ପୋଛି ଦେଲା ! ଲକ୍ଷ୍ମୀ ତ ସେଠାରୁ ଅଗାଧୁଆରେ ଆସୁଛନ୍ତି । ଦେଉଳକୁ ଆସି ବିଟାଳିବେ ସବୁ ।

ଜଗନ୍ନାଥ- ମୁଁ ତ ଏକଥା ଜାଣି ନାହିଁ ।

ବଳଭଦ୍ର- ଏବେ ତ ଜାଣିଲ । ମୋ କଥା ମାନି ସିଂହଦ୍ୱାର ମୁଦ କର । ଲକ୍ଷ୍ମୀଙ୍କର ଆଉ ଏ ଘରେ ସ୍ଥାନ ନାହିଁ ।

ଜଗନ୍ନାଥ- ତାଙ୍କୁ ଘରୁ ବାହାର କରିଦେବାଟା କଅଣ ଉଚିତ ବିଚାର ହେବ ?

ବଳଭଦ୍ର- ଯେବେ ଅନୁଚିତ ବୋଲି କହୁଛ, ତେବେ ତୁମେ ଦୁହେଁ ଯାଇ, ଚଣ୍ଡାଳ ସାହୀରେ ଘରଦ୍ୱାର କରି ରୁହ । ମୁଁ କିନ୍ତୁ ଏ ଅନାଚାର ସହି ପାରିବି ନାହିଁ ।

ଜଗନ୍ନାଥ- ଲକ୍ଷ୍ମୀଙ୍କ ପରି ପତ୍ନୀକୁ ତ୍ୟାଗ କରିବି ବୋଲି କହୁଛନ୍ତି ?

ବଳଭଦ୍ର- ହଁ, ମୋ ଭାଇପାଇଁ କନ୍ୟା ଅଭାବ ହେବ ନାହିଁ । ତୁମେ ଯାଇ ସିହଂଦ୍ୱାରରେ ଜଗି ରହ । ଲକ୍ଷ୍ମୀଙ୍କୁ ଭିତରକୁ ଆସିବାକୁ ଦେବନାହିଁ । କହିଲି ତ, ମୁଁ ଏ ଅନାଚାର ସହି ପାରିବି ନାହିଁ । ଯାଅ, ଆଉ ଉଛୁର କର ନାଇଁ । ଲକ୍ଷ୍ମୀ ଫେରୁଥିବେ- ଚଣ୍ଡାଳୁଣୀ ଘରୁ । ଶୀଘ୍ର ଯାଅ ।

ଜଗନ୍ନାଥ- ହଉ, ଯାହା ଆପଣଙ୍କର ଆଜ୍ଞା ।

 

ଚତୁର୍ଥ ଦୃଶ୍ୟ

(ସିଂହଦ୍ୱାର, ଜଗନ୍ନାଥ ବସିଥିଲେ । ମହାଲକ୍ଷ୍ମୀ ଆସିଲେ)

ଲକ୍ଷ୍ମୀ-                        (ଗୀତ)

ବାଟ ଝାଡ଼ି, ଦୁଆରରୁ ଘୁଞ୍ଚ, ବାଟ ଛାଡ଼,

ରୋଷଶାଳକୁ ମୁଁ ଯାଇ

ରାନ୍ଧିବି ପରା ମଣୋହୀ

ସାରି ବେଗେ ଦଶମୀ ଯୋଗାଡ଼-ବାଟ ଛାଡ଼ ।।

 

ଜଗନ୍ନାଥ-

ନଗରକୁ ବୁଲି ଯିବ ବୋଲି କହି

ଯାଇଥିଲି କାଲି କାହିଁ ?

ନ ଦେଖୁଣୁ ମୁହିଁ, ତୁମ କଥା ସବୁ

ଦେଖିଛନ୍ତି ବଡ଼ ଭାଇ ।

ଚଣ୍ଡାଳୁଣୀ ପୂଜା ଭୋଗ ଦେଉଥିଲା

ଧୋଇ ତୁମ ପାଦ ଦୁଇ,

ପିନ୍ଧା କାନିରେ ସେ ପାଦ ପୋଛି ଦେଲା

ଆସିଲ ଆଶୀଷ ଦେଇ ।

ଚଣ୍ଡାଳୁଣୀ ଛୁଆଁ ଅଧୁଆ ଶାଢ଼ୀରେ

ବାହୁଡ଼ିଛ ଲାଜ ନାହିଁ ?

ବିଟାଳୁଛ ତୁମେ ଘରଦ୍ୱାର ବୋଲି

ରାଗି ଆଜ୍ଞା ଦେଲେ ଭାଇ-

ଯାଅ ଫେରି ଯାଅ, ଆଉ ଏ ଦେଉଳେ

ତୁମପାଇଁ ଠାବ ନାହିଁ ।

ଲକ୍ଷ୍ମୀ- ଏ କି କଥା କହୁଛ ପ୍ରଭୁ । ତୁମେ ମୋର ସ୍ୱାମୀ-ଦେବତା । ମନେଥିବ, ବିବାହ ବେଳରେ ଗୁଆ ଛୁଇଁ ତୁମର ଶପଥ ।

ଜଗନ୍ନାଥ- ଶପଥ ?

ଲକ୍ଷ୍ମୀ- ହଁ, ଶପଥ କରିଛ ଦଶ ଦୋଷ ମୋର କ୍ଷମା କରିବ । ମନେ ନାହିଁ ପ୍ରଭୁ ? ମୋ ପିତାଙ୍କ ଆଗେ ମୋର ଦଶ ଦୋଶ କ୍ଷମା କରିବାକୁ ଶପଥ କରିନାହଁ ତୁମେ ?

ଜଗନ୍ନାଥ- ତୁମ ପିତା ! ଯାହାଙ୍କ ଗର୍ଜ୍ଜନରେ ଦିନରାତି କାନ ତାବଧା ହେବାରୁ ମନ୍ଦିରର ଚାରିପଟେ ମେଘନାଦ ପାଚେରୀ ନ ତୋଳି ରହି ହେଇନାହିଁ । ତୁମେ ତ ତାଙ୍କର ଝିଅ ? ଅଚ୍ଛବ ଚଣ୍ଡାଳୁଣୀର ସେବା ପୂଜା ଗ୍ରହଣ କରି, ମନ୍ଦିରକୁ ଆସି ସବୁ ବିଟାଳିବାକୁ ବସିଛ ? ଭାଇ ଏସବୁ ଜାଣି ବଡ଼ ଅସନ୍ତୁଷ୍ଟ ହୋଇ ତମକୁ ଦୁଆର ବାସନ୍ଦ କରିଛନ୍ତି । ଆଉ ମନ୍ଦିରରେ ତୁମର ସ୍ଥାନ ନାହିଁ । ଚାଲିଯାଅ ।

ଲକ୍ଷ୍ମୀ-                        (ଗୀତ)

ତୁମେ ଯେବେ ମୋତେ ତ୍ୟାଗ କଲ ପ୍ରଭୁ ?

ଉଚିତ ବୋଲି ବିଚାରି,

ଅଭାଗିନୀ ଲକ୍ଷ୍ମୀ ଚାଲି ଯାଉଅଛି

ଅଭିଶାପ ଦେଇ ସାରି ।

 

ବାରବର୍ଷ ଯାଏ ନ ମିଳୁ ତୁମ୍ଭଙ୍କୁ

ଦାନା କନା ଆଦି କରି,

ଚାଲି ଯାଉଛି ମୁଁ ଭିଖାରୁଣୀ ସରି

ତୁମ୍ଭ ଆଜ୍ଞା ଶିରେ ଧରି ।

 

ଅଭିଶାପ ମୋର ଫଳିବ ନିଶ୍ଚୟ

ପ୍ରଣାମ ଘେନ ମୋହରି ।

(ପ୍ରଣାମ କରି ଲକ୍ଷ୍ମୀ ଚାଲିଗଲେ)

ପଞ୍ଚମ ଦୃଶ୍ୟ

(ପୋଖରୀ କୂଳରୁ ଅଳ୍ପଦୂର ବାଟରେ ମାଧବୀ-ଗାଧୋଇ ସାରି ଓଦା ଲୁଗାରେ ମନ୍ଦିରକୁ ଫେରୁଛି । ମନ୍ଦିର ଆଡ଼ୁ ଆସୁଛି ମାଳତୀ)

ମାଧବୀ- ମହାଦେଈ କାଲି ସଞ୍ଜରୁ ଦେଉଳରେ ତ ନ ଥିଲେ, ପୁଣି ଆଜି ବଡ଼ି ସକାଳୁ କୁଆଡ଼େ ବାହାରିଛନ୍ତି କିଲୋ, ଏକୁଟିଆରେ ?

ମାଳତୀ- ମୁଁ ତ କିଛି ଜାଣିନାହିଁ । ଖାଲି ଦେଖିଲି-ସାନ ଠାକୁର ଭିତର ଆଡ଼କୁ ଯାଉଛନ୍ତି । ମୁହ କାହିଁକି ଶୁଖିଲା ଦିଶୁଛି ।

ମାଧବୀ- କଥାଟା ଜାଣି ହଉନାହିଁ ।

ମାଳତୀ- ଚାଲିଲୁ ଦେଖିବା ।

ମାଧବୀ- ଗାଧୋଇ ବାହାରିଚୁ ପରା ?

ମାଳତୀ- ଆସିଲେ ଗାଧୋଇବି, ଚାଲ, ଆଗେ ଦେଖିବା କୁଆଡ଼େ ବାହାରିଛନ୍ତି । ଆମକୁ କାହାକୁ ତ ଡାକି ନାହାନ୍ତି ସେ ସାଙ୍ଗରେ ଯିବାକୁ ?

ମାଧବୀ- କଅଣ ଏମିତି ଘଟିଲା, କେଜାଣି ?

ମାଳତୀ- କାଲି ସଞ୍ଜରେ ତ ନଗର ବୁଲି ଯାଇଥିଲେ, ସୁଦଶା ବ୍ରତ-ତାଙ୍କ ପୂଜା ବୋଲି । ଆଜି ବଡ଼ି ପାହାନ୍ତରୁ ପୁଣି କୁଆଡ଼େ ଯାଉଛନ୍ତି । ଏକୁଟିଆ ହୋଇ ? ଚାଲିଲୁ, ପଛେ ପଛେ ଯିବା, କଥାଟା ବୁଝିବା ।

ମାଧବୀ- ଚାଲ ଚାଲ, କଥା ହବାକୁ ଆଉ ବେଳ ନାହିଁ । ଚାଲି ଯାଉଛନ୍ତି ସେ ।

(ଦୁହେଁ ଚାଲିଲେ)

 

 

 

 

 

 

 

ଷଷ୍ଠ ଦୃଶ୍ୟ

(ପୁରୀ ସମୁଦ୍ର କୂଳ, ମହାଲକ୍ଷ୍ମୀ ଏବଂ ବିଶ୍ୱକର୍ମା)

ବିଶ୍ୱକର୍ମା-                  (ଗୀତ)

ପ୍ରଣତି ଘେନନ୍ତୁ ଦେବି ! ଚରଣ ତଳେ

କିପାଇଁ ବିଶ୍ୱକର୍ମାକୁ ସ୍ମରଣ କଲେ ?

ହୋଇଲି ପରବେଶ

କହନ୍ତୁ କି ଆଦେଶ

ଧନ୍ୟ ମଣିବି ମୁଁ ତାହା ପାଳନ କଲେ ।

 

ଲକ୍ଷ୍ମୀ-                        (ଗୀତ)

ଆଦେଶ ବୋଲି ନ ଧର

ଏ ତ ଅନୁରୋଧ ମୋର ।

ଦେଉଳୁ ହୋଇ ବାହାର- ବାସ କାହିଁ ନାହିଁ ମୋର

ସାଗରତୀରରେ ମୋ ଲାଗି ଅଚୀରେ

ତୋଳାଅ ଏକ ନଅର ।

ଦାସୀଗଣ ତୁଲେ-ରହିବି ସେଠାରେ

ଏତିକି ମୋ କହିବାର ।

ବିଶ୍ୱକର୍ମା- ଅଚିରେ ନବର ସାଗର ତୀରେ ତୋଳାଇ ଦେବି । ବିଦାୟ ନେଉଛି ଘେନନ୍ତୁ ମୋର ପ୍ରଣତି ଦେବୀ !

(ବିଶ୍ୱକର୍ମା ପ୍ରଣାମ କରି ପ୍ରସ୍ଥାନ)

(ମାଳତୀ ଓ ମାଧବୀ ପ୍ରବେଶ କରି ଲକ୍ଷ୍ମୀଙ୍କୁ ଭୂମିଷ୍ଟ କଲେ)

ଲକ୍ଷ୍ମୀ- ମାଳତୀ, ମାଧବୀ, ତୁମେ ଦୁହେଁ ଏତେବେଳେ ଦେଉଳ ଛାଡ଼ି କୁଆଡ଼େ ଆସିଲ ?

 

ମାଧବୀ-                  (ଗୀତ)

ଏଡ଼େ ସକାଳରୁ ମହାଦେଈ !

ଅଘଟ ଘଟଣା ଦେଖିଲଇଁ

ଏକୁଟିଆ କାହିଁ ବିଜେ କରୁଛନ୍ତି

ସଙ୍ଗରେ ତ ଆଉ କେହି ନାହିଁ ।

ମାଳତୀ-

ଗାଧୁଆ ତୁଠରୁ ଫେରୁଥିଲି

ଦେବୀଙ୍କୁ ଦୂରରୁ ନିରେଖିଲି

ମାଧବୀକୁ ଡାକି ସାଙ୍ଗରେ ଆଣି ମୁଁ

ଆସିଅଛି ତରତର ହୋଇ ।।

 

ଅଗଣନ ଦାସୀ, ପରିବାରୀ

ଅଛନ୍ତି ଯାହାର ସେବା କରି

କାହାକୁ ସଙ୍ଗରେ ନ ଡାକି ସେ ପୁଣି

ଦାଣ୍ଡେ ଦାଣ୍ଡେ ବିଜେ କାଇଁ ପାଇଁ ?

ଲକ୍ଷ୍ମୀ-

ବାଟଟାରେ କହିବି ମୁଁ କିସ ?

ଶୁଣିବ ସବୁ ମୋ ସଙ୍ଗେ ଆସ

ତଡ଼ି ଦେଇଛନ୍ତି ଦୁଇଭାଇ ମୋତେ

ଦେଉଳେ ଆଉ ମୋ ଠାବ ନାହିଁ ।।

 

ଦରିଆ ବାଲିକୁ ଯିବା ଚାଲ

ଦେଖିବ ସେଠାରେ ନୂଆଘର

ଜାଣିବ, ଶୁଣିବ ଘଟିଅଛି ଯାହା

କହିବି ସକଳ ସମୁଝାଇ ।

(ସମସ୍ତେ ଚାଲିଗଲେ)

 

 

 

 

 

 

ସପ୍ତମ ଦୃଶ୍ୟ

(ବଡ଼ଦାଣ୍ଡ, ପୂଜାପଣ୍ଡା ଚାଲି ଯାଉଥିଲେ । ପଛରୁ ତାଙ୍କୁ ମହାସୁଆର ଡାକିଲେ ।)

ସୁଆର- ପୂଜାପଣ୍ଡାଏ ! ପୂଜାପଣ୍ଡାଏ ! ରହ, ରହ ଶୁଣ ଶୁଣ ଟିକିଏ ।

ପଣ୍ଡା- ସକାଳୁ ଦେଉଳ ଛାଡ଼ି, ଏମିତି ଧଇଁସଇଁ ହୋଇ ପଛରୁ ଡାକ ଛାଡ଼ିଚ ? କଥା କଅଣ ?

ସୁଆର- ଆଚମ୍ବିତ କଥା । ଦେଉଳ ଶୂନ୍‌ । ଦିନ ଆସି ଘଡ଼ିଏ ହେଲାଣି, ଦିଅଁଙ୍କ ପହୁଡ଼ ଭାଙ୍ଗିନାହିଁ ?

ପଣ୍ଡା- (ହସି ମହାସୁଆରଙ୍କୁ ପାଖକୁ ଟାଣି ହଲାଇ) ଆହେ ମହାସୁଆରେ ? ଟିକିଏ ମତେ ଚାହିଁଲ ଦେଖେଁ; ତୁମ ଆଖିରୁ ବାସି ରଙ୍ଗ ଛାଡ଼ିଲାଣି କି ନାହିଁ ।

ସୁଆର- ଛାଡ଼ ହେ, ଯାଇକରି ଦେଉଳରେ ନିଜେ ଦେଖ । ତମ ଆଖିରୁ ରଙ୍ଗ ଛାଡ଼ିଥିଲେ -ମୋ କଥା ସତ-ମିଛ ବାରିବ, ଆସ । (ପୂଜାପଣ୍ଡାଙ୍କୁ ଟାଣି ନେଲେ । ଏତିକି ବେଳେ ଯୋଗାଣିଆ ତରତର ହୋଇ ଆସିଲେ)

ଯୋଗାଣିଆ- କୁଆଡ଼େ ଦିହେ ବାହାରିଚ ? ଦେଉଳକୁ ? ରୋଷ ଭଣ୍ଡାରକୁ ଚାଲ, ଦେଖିବ-କିଛି ଆଉ ଭଣ୍ଡାରରେ ନାଇଁ । କଅଣ ଯୋଗାଡ଼ିବି ?

ସୁଆର- ଯୋଗାଣିଆ ! କଅଣ କହୁଛ ? କାଲି ମୁଁ ସବୁ ରକମ ଧୁଆଧୋଇ କରି ସଜାଡ଼ି ରଖିଛି । ଆଜି ତୁମେ କହୁଚ କଅଣ- ନା କିଛି ନାହିଁ ? ଚାଇଲ, ଚାଇଲ ।

ପଣ୍ଡା- ଶୁଣିକରି ତ ମୁଁ ତାଟକା ହୋଇଗଲିଣି, ଚାଇଲ ଦେଉଳକୁ । କି ଅସମ୍ଭବ କଥା ଶୁଣୁଛି ।

(ସମସ୍ତେ ଚାଲିଗଲେ)

ଅଷ୍ଟମ ଦୃଶ୍ୟ

(ସାଗର ବାଲିରେ ଲକ୍ଷ୍ମୀଧର ନୂଆଘର । ଲକ୍ଷ୍ମୀ ବସିଛନ୍ତି । ମାଳତୀ ଓ ମାଧବୀ ପାଖରେ ଛିଡ଼ା ହୋଇଛନ୍ତି ।)

ମହାଲକ୍ଷ୍ମୀ-                  (ଗୀତ)

ସବୁ କଥା ଜାଣିଲ ତ ଏଥର

ଏବେ ସଜାଡ଼ ଏ ନୂଆଘର ।।

ଅଷ୍ଟବେତାଳଙ୍କୁ ଡାକି କହିଥିଲି

ଲୁଟି ଆଣିବେ ଭଣ୍ଡାର ।

ରୋଷଶାଳେ ପଶି ଖାଇପିଇ ଦେଇ

କରିବେ ସକଳ ଜୁର ।

 

ଚେଇଁଥିବେ କାଳେ ଦୁଇଭାଇ ବୋଲି

ତହିଁ ପାଇଁ ତାଙ୍କ ଡର ।

କହିବାରୁ ମୋତେ ଡାକି ଆଣିଲି ମୁଁ

ନିଦ୍ରାବତୀଙ୍କି ସତ୍ୱର ।

 

କହିଲି ତାହାଙ୍କୁ ଆଗୋ ନିଦ୍ରାବତୀ !

ବଡ଼ ଦେଉଳକୁ ଚଳ

ଶୋଇଥିବା ବେନି ଭାଇଙ୍କ ନୟନେ

ଭରିଦିଅ ନିଦ୍ରାଘୋର ।

 

ତୁମ୍ଭେ ଦୁହେଁ ବେଗେ ଦେଉଳକୁ ଯାଇ

ବାହୁଡ଼ି ଦେବ ଖବର ।

କି ହେଲା, ଦେଉଳେ, କି ହେଉଛି ଏବେ

ଦୁଇ ଭାଇଙ୍କ ବିଚାର ।

ମାଳତୀ- ଆଜ୍ଞା ପ୍ରମାଣେ ଆମେ ଏଇକ୍ଷଣି ଦେଉଳକୁ ଯାଉଛୁ ମହାଦେଈ ।

ମହାଲକ୍ଷ୍ମୀ- ହଁ, ଆଉ ଗୋଟିଏ କଥା ଦେଖି ଆସିବ ।

ମାଧବୀ- ଆଜ୍ଞା କରନ୍ତୁ ।

ଲକ୍ଷ୍ମୀ- ଦେଖି ଆସିବ ବଡ଼ ସାନ ଦୁଇ ଭାଇଙ୍କ ପହୁଡ଼ ଘରେ ରତ୍ନପଲଙ୍କ ବଦଳରେ ଦୁଇଟି ଦଉଡ଼ିଆ ଖଟ ପଡ଼ିଛି କି ନାହିଁ ।

ମାଧବୀ- ଯଥା ଆଜ୍ଞା ଦେବୀ !

(ଦୁହେଁ ପ୍ରଣାମ କରି ଚାଲିଗଲେ । ଅନ୍ୟ ଦିଗରେ ଲକ୍ଷ୍ମୀ ଭିତରକୁ ଗଲେ)

 

 

 

 

 

ନବମ ଦୃଶ୍ୟ

(ମନ୍ଦିର ଅଭ୍ୟନ୍ତର, ଜଗନ୍ନାଥ ଓ ବଳଭଦ୍ର)

ବଳଭଦ୍ର- କାଲି ମନ୍ଦିରରୁ ଲକ୍ଷ୍ମୀଙ୍କୁ ବିଦାୟ ଦେବା ପରେ ବୁଲି ଦେଖୁଛି- ଭଣ୍ଡାର ଘରେ କିଛି ନାହିଁ ।

ଜଗନ୍ନାଥ- ହ, ଚାରିଆଡ଼ ଖାଲି ଶୂନ୍ୟ ଲାଗୁଛି ।

ବଳଭଦ୍ର- ଭୋଜନର କି ବ୍ୟବସ୍ଥା ହେବ ? ସୁଆରମାନଙ୍କର ଦେଖାନାହିଁ ।

ଜଗନ୍ନାଥ- ସେମାନେ ଥିଲେ ବା କଅଣ ପାକ କରିବେ ? ଭଣ୍ଡାର ଘର ତ ଖାଲି । ଏମିତିକି ରାନ୍ଧିବା ବାସନ-ବର୍ତ୍ତନ ଖଣ୍ଡିଏ ମଧ୍ୟ ନାହିଁ । କେମିତି ଯେ ସବୁ କୁଆଡ଼େ ଗଲା କିଛି ଜଣାପଡ଼ୁ ନାହିଁ ।

ବଳଭଦ୍ର- ଏ ତ ବଡ଼ ଅଦ୍ଭୁତ କଥା, ତୁମେ ଖବର ନିଅ ମନ୍ଦିରରେ କିଏ କେଉଁଠି ଅଛନ୍ତି ।

ଜଗନ୍ନାଥ- ମୁଁ ଚାରିଆଡ଼ ବୁଲି ଦେଖିଲି, କେହି କେଉଁଠି ନାହାନ୍ତି । ଲକ୍ଷ୍ମୀ ଚାଲିଗଲା ପରେ ଏପରି ଦୁର୍ଘଟଣା ଘଟୁଛି ।

ବଳଭଦ୍ର- ସେସବୁ କିଛି ନୁହେଁ । ମୋ ସାଙ୍ଗରେ ଆସ । ଦେଖିବା, କଅଣ କରିବାକୁ ହେବ । ଆସ

(ଦୁହେଁ ଚାଲିଗଲେ)

 

 

 

 

ଦଶମ ଦୃଶ୍ୟ

(ଗ୍ରାମ୍ୟ ପଥ । ନିକଟରେ ଗୋଟିଏ ଘରର ଦ୍ୱାରମୁହଁରେ ବୁଲୀ ଓ ସୁଲୀ ଦୁଇଜଣ ଗାଉଁଲୀ ସ୍ତ୍ରୀ ଲୋକ ଛିଡ଼ା ହୋଇଛନ୍ତି)

ବୁଲୀ-                        (ଗୀତ)

ନାନୀ, ଦେଖ ଲୋ, କିଏ ସେ ଦିଜଣ ଇଏ

ଭିଖ ମାଗୁଛନ୍ତି ଦୁଆରେ ଦୁଆରେ-

ବୁଲି ବୁଲିକରି ସିଏ ।।୦।।

ବୁଲୀ-

ହଁ, କଳା ଗୋରା ଭେଣ୍ଡା ଦିଜଣ

ଦିହଯାକ କେଡ଼େ ଚିକ୍‌କଣ

ମୋଟା ରୋଟା ହାତ, ଗୋଡ଼, ବେକ, ପିଠି

ୟାଙ୍କୁ ଭଲା ଭିଖ ଦେବଟି କିଏ ?

ବୁଲୀ-

ନିବଳୁଆ ନୁହନ୍ତି ଦୁହେଁ

ଭିଖ ମାଗୁଛନ୍ତି କି ମୁହେଁ ?

ଗତର ଖଟାଇ, ଅରଜନ କଲେ

ସୁଖରେ ଚଳନ୍ତେ ତାଙ୍କ ପିଲାଏ ।।

 

ନୂଆକରି ଦେଖୁଛି ତାଙ୍କୁ

ଆସିଛନ୍ତି ଆମ ସାଇକୁ

ଆମ ଦୁଆରକୁ ମାଗି ଯାଇଥିଲେ

ତଡ଼ିଦେଲେ ବାପା, ବୋଉ, ସଭିଏଁ ।।

 

ସୁଲୀ- ଆଲୋ ଏ ବୁଲୀ ! ତୋ ଦେଢ଼ଶୁର ଆସୁଛନ୍ତି କି କଅଣ ଲୋ ! ଚାଲ ଚାଲ-ଘରକୁ ଯିବା । (ଦୁହେଁ ଚାଲିଗଲେ)

(ପଦନ ଓ ମଦନ କଥାବାର୍ତ୍ତା ହୋଇ ଆସୁଥିଲେ)

ପଦନ- ହଁ, ଜାଣନ୍ତେ, ନିଭାଗୁଡ଼ିଆ ହେଇଛନ୍ତି କି ଛୋଟା, କେମ୍ପା ହେଇଛନ୍ତି । ଷୋଳସମରଥ ଭେଣ୍ଡିଆ ଦିଇଟା-

ମଦନ- ପଦନ ଭାଇନା, ତେମେ ଭଲା କେବେ ଏମିତି ଭିଖାରୀ ଆମ ଗାଆଁ ଭୂଇଁରେ ଦେଖିଚ ?

ପଦନ- ଆରେ, ଚୋର କି ତସ୍କର ହୋଇଥିବେ । ସମ୍ପତ୍ତି ବାଡ଼ି ଦେଖି ଠଉର କରିବାକୁ ଆସିଥିବେ ରେ । ଦିନେବେଳେ ଦେଖିବାକୁ ଭିଖମଗା, ରାତି ଅନ୍ଧାର ହେଲେ, ସଂଜ ଦେଖି ଖଞ୍ଜରେ ଖଞ୍ଜରେ ଧନ ସମ୍ପତ୍ତି ଲୁଟିବେ ।

ମଦନ- ମୁଁ ସେଥିରୁ ଗୋଟାକୁ କହିଲି- ଆରେ, ମୂଲ ଲାଗିବୁ ? ଆ, ମେହେନ୍ତନା ଦେବି । କାଳିଆ ଲୋକଟା କହିଲା, କାମ ଦାମ ତ ଜଣାନାହିଁ ।

ପଦନ- ହ, ଆଉ ଭିକମାଗିବାଟା ଜାଣନ୍ତି !

ମଦନ- ସେ ଦିଟା ନିହାତି ଅଲକ୍ଷଣା ମ । କାଲି କଥା ଶୁଉଣ୍‌- ଆମ ଦୁଆରକୁ ଦି ପହରେ ଯାଇ, କାନ୍ଦକାନ୍ଦ ହୋଇ ସେ ଗୋରାଟା ମୁଠେ ଖାଇବାକୁ ମାଗିଲା । ନାତୁଣୀ ମୋର ତା’ ବୋଉକୁ ଯାଇ ବ୍ରାହ୍ମଣଟେ ମୁଠାଏ ଖାଇବାକୁ ମାଗୁଛି ବୋଲି କହିଲା । ଝିଅ କଥା ଶୁଣି ବୋହୂ ହାଣ୍ଡିଶାଳକୁ ଯାଇ ହାଣ୍ଡି ଦରାଣ୍ଡି ବା ବେଳକୁ- ହାଣ୍ଡି ଶୂନ୍‌ । କବାଟଟା ଉଦୁଆଁ ଥିଲା । ମାଙ୍କଡ଼ ପଶି ଖାଇଗଲେ କି କଅଣ ଭାବି, ବୋହୂ ଓଲଟି ଝିଅକୁ ଗାଳି ଦେଲା ।

ପଦନ- ସେ ବ୍ରାହ୍ମଣ ଦି’ଟାଙ୍କୁ ସାଇରୁ ତଡ଼ ମ । ହତଲକ୍ଷ୍ମା ଗୁରାକ ।

ମଦନ- ହଁ, ସେଇକଥା । ଚାଲିବୁଟି ଦେଖିବା-ସେ ଯୋଡ଼ାକ ଗଲେ କୁଆଡ଼େ । ଭଲରେ ନଗଲେ, ବାଉଁଶ ଠେଙ୍ଗଣି ଅଛି । ଆସ, ଆସ ।

(ଦୁହେଁ ହସି ହସି ଚାଲିଗଲେ)

ଏକାଦଶ ଦୃଶ୍ୟ

(ଦରିଆ କୂଳ ବାଲିରେ ଆସୁଛନ୍ତି ଚାଲି ଚାଲି ବଳଭଦ୍ର ଓ ଜଗନ୍ନାଥ)

ଜଗନ୍ନାଥ-                  (ଗୀତ)

ଦେଖ ଦେଖ ଭାଇ, ହେଇଟି କାହାର

ବଡ଼ କୋଠାଟିଏ ଦିଶଇ ।

ବଳଭଦ୍ର-

ଭାରି ଟାଣ ଖରା ତାତିଲା ବାଲିରେ

ଆଉ ମୋ ପାଦ ନ ଚଳଇ ।

ଭୋଖ ଶୋଷରେ ଉଡ଼ୁଛି ହଂସା

ମୁଠେ ଭିଖର ନାହିଁ ଭରସା

ବାରଘର ବୁଲି ମାଗିଲେଁ ଯାହାକୁ

କହିଲା ସେ ଖାଲି ନାହିଁ ନାହିଁ ।

ଜଗନ୍ନାଥ-

ଆସ, କାନ୍ଧରେ ମୋ ଭରା ଦେଇ

ଧରି ଧରି ନେଇଯିବି ଭାଇ !

ଆଉଣ୍ଡି ହେଲାଣି ଭୋଖରେ ମୋ ପେଟ

ମୁଠାଏ ଅନ୍ନକୁ ଚାହିଁ ଚାହିଁ ।

ବଳଭଦ୍ର-

ବଡ଼-ଘର ପରି ମୋତେ ଦିଶୁଛି

ମାଗିଲେ ବା ମିଳିବ କିଛି

ଚାଉଳ ମୁଠାଏ, ପରିବା ଗଣ୍ଡାଏ

ପାଇଲେ ଫୁଟାଇ ଦେବା ଖାଇ ।।

ଜଗନ୍ନାଥ-

ଧୀରେ ଧୀରେ ପାହୁଣ୍ଡକୁ ପକା

ଆଗରେ ତ ଦିଶୁଅଛି ପକ୍‌କା

ଆମ ଦୁଃଖ ଦେଖି କେଜାଣି କାହାର

ଦୟା ହେଲେ କିଛି ପାରେ ଦେଇ ।।

 

ବଳଭଦ୍ର-

କୋଠା ପାଖ ହେଲାଣି ଭାଇ !

ଡାକ ତୁହି ଦୁଆରେ ଯାଇ ।

ହେଇଟି ଦିଶୁଛି-କଥା ହେଉଛନ୍ତି

ମାଇପୀ କିଏ ଏଣେ ଅନାଇଁ ।।

(ଧୀରେ ଧୀରେ ଦୁହେଁ ପ୍ରସ୍ଥାନ କଲେ ।)

 

ଦ୍ୱାଦଶ ଦୃଶ୍ୟ

(ମହାଲକ୍ଷ୍ମୀଙ୍କ କୋଠାଘର ଦୁଆର ମୁହଁ । ବାହାରୁ ମାଧବୀ ଭିତରକୁ ଯିବା ବେଳକୁ ମାଳତୀ କଦଳୀପତ୍ର ଦି’ଖଣ୍ଡ ଭିତରୁ ଆଡ଼ୁ ନେଇ ଆସିଲା ।)

 

ମାଳତୀ- କଳା ଗୋରା ହୋଇ ସେ ବ୍ରାହ୍ମଣ ଦି’ଜଣ କିଏ ମ ? ସବୁ ଦେଇଛୁ ତ ତାଙ୍କୁ ?

ମାଧବୀ- ହଁ, ସଞ୍ଚାରେ ଡାଲି, ଚାଉଳ, ପନିପରିବା, ତେଲ, ଲୁଣ, ଘିଅ ଆଉ ଜାଳିବାକୁ ଫାଳିଆ କାଠ; ସବୁ ତାଙ୍କୁ ଦେଇ ଟିକିଏ ଛିଡ଼ା ହେଇ ଦେଖୁଥିଲି ତାଙ୍କ ରାନ୍ଧିବା ଢଙ୍ଗ ।

ମାଳତୀ- ମୁଁ ପତର ଆଣିଛି । ରନ୍ଧାରନ୍ଧି ସରିଯିବଣି ତ ।

ମାଧବୀ- ଗୋରା ଗୋସାଇଁ ଜଣକ ପାଖରେ ଠିଆ ହୋଇଛନ୍ତି । କଳା ଜଣକ ହାଣ୍ଡିରେ ପାଣି ବସାଇ ଚୂଲୀ ଫୁଙ୍କି ଫୁଙ୍କି ନୟାନ୍ତ ହେଲେଣି, ଚୂଲୀ ଜଳିବାକୁ ନାଇଁ । ପାଣି ତାତିଲେ ସିନା ଚାଉଳ ପକାଇବେ ।

ମାଳତୀ- ଆଲୋ, କେଉଁ ଗାଆଁର ମ ସିଏ ? ବ୍ରାହ୍ମଣ ପିଲା ହୋଇ ମୁଠେ ରାନ୍ଧି ଜାଣୁ ନାହାନ୍ତି ?

ମାଧବୀ- ଆଲୋ, କେମିତି ରାନ୍ଧିବେ ? ପାଣି ଫୁଟିଲେ ସିନା ଚାଉଳ ପକାଇବେ । ମୂଳରୁ ପରା ଯେତେ ଫୁଙ୍କିଲେ ହେଲେ କାଠରେ ନିଆଁ ଧରିବାକୁ ନାଇଁ ବୋଲି କଳା ଜଣକ କହୁଛନ୍ତି ।

ମାଳତୀ- ତୁ ଦେଖିକରି ଦେଇନାହୁଁ କି କଅଣ ? ଓଦା କାଠ ହେଇଥିବ ଲୋ !

ମାଧବୀ- ମଲା, ଶୁଖିଲା କାଠ ଫାଳିଆ ଗୁରାକ । ଓଦା କିଆଁ ହୁଅନ୍ତା ମ ? ତାଙ୍କୁ ନିଆଁ ଧରେଇ ଆସୁନାଇଁ । ତୁ ଏବେ ଯାଉନୁ ଦେଖିବୁ । ଆ, ଯିବୁ ଆ ।

ମାଳତୀ- ମହାଦେଈ ପରା ସେ ଦୁହିଁଙ୍କ ରନ୍ଧାରନ୍ଧି ସରିଲାଣି କି ନାହିଁ, ଦେଖି ଆସିବାକୁ କହିଥିଲେ ମତେ ! ମୁଁ ଯାଉଚି-ସବୁକଥା କହିବି ମହାଦେଈଙ୍କି ।

(ନେପଥ୍ୟେ ଗୋଟାଏ କିଛି ତଳେ କଚାଡ଼ି ହେବା ଶବ୍ଦ)

ମାଳତୀ- କଅଣଟେ ପଡ଼ିଲା ପରି ଶୁଭିଲା ! ଦେଖିଲୁ ଆଗ ।

(ମାଳତୀ ଚାଲିଗଲା ଓ ସଙ୍ଗେ ସଙ୍ଗେ ପୁଣି ଫେରି ଆସିଲା)

ମାଳତୀ- ଆଲୋ ହେ ! ୟେ କି କଥା ମ ? ମହାଦେଈଙ୍କ ବ୍ରାହ୍ମଣ ନନାଙ୍କ ରନ୍ଧାବଢ଼ା କଥା କଅଣ କହିବି ? ଭାତ ହାଣ୍ଡିଟା କଚାଡ଼ି ଦେଲେ ଯେ, କଳା ନନାଙ୍କର ଦିହମୁଣ୍ଡ ପାଣି । କାହିଁକି ଏମିତି ହେଲା ? ୟେ କି ଅଲକ୍ଷଣା କଥା ମ ?

(ଜଗନ୍ନାଥ, ବଳଭଦ୍ର ପ୍ରବେଶ)

ମାଳତୀ- ହଇଓ ନନା ! ଭାତ ହାଣ୍ଡିଟା କଚାଡ଼ିଲା କିଏ ? ଆଉଟାଏ ହାଣ୍ଡି ଆଣି ଦେବି ?

ଜଗନ୍ନାଥ- ଦରକାର ନାଇଁ ହାଣ୍ଡି । ଫୁଙ୍କି ଫୁଙ୍କିତ କାଠ ଜଳିବାକୁ ନାଇଁ ।

ବଳଭଦ୍ର- କଅଣ ହେଇଚି କେଜାଣି । ନିଆଁ ମୋଟେ ଧରୁ ନାଇଁ । କାଠର ଦୋଷ କି ଆମର ଦୋଷ, କେଜାଣି ? ପାଣି ତ ଫୁଟିବାକୁ ନାଇଁ, ଆଉ ହାଣ୍ଡିଟେ ଆଣିଦେଲେ ବା କଅଣ ହବ ?

ଜଗନ୍ନାଥ- ସେ କଥା ନୁହଁ । ଭୋକରେ ପେଟ ଜଳି ଯାଉଚି । ଆମକୁ ମୁଠେ ଅନ୍ନ ଦିଅ । ତମର ବ୍ରାହ୍ମଣ ଘର ହଉ କି ଚଣ୍ଡାଳ ଘର ହଉ, ଜୀବନଟା ଆଗେ ରହୁ ।

ମାଧବୀ- ଆମେ ତ କିଛି କହିପାରିବୁ ନାହିଁ । ଭିତର ଆଡ଼କୁ ଯାଇ ମହାଦେଈକି ସବୁ ସିନା କହିବି । ଆଗେ ତୁମେ ଯାଇ ଦିହ, ମୁଣ୍ଡରୁ ପାଣି ପୋଛିପାଛି ହେଇପଡ଼ । ଆମେ ଭିତର ଆଡ଼ୁ ତମ ଖାଇବା କଥା ବୁଝି ଆସୁଛୁଁ । ଯାଅ ।

ବଳଭଦ୍ର- ହଉ । (ବଳଭଦ୍ର ଓ ଜଗନ୍ନାଥ ଚାଲିଗଲେ)

ମାଳତୀ- ଆଉ ଅନେଇଁବାକୁ ବେଳ ଅଛି ? ଚାଲ ମହାଦେଈଙ୍କି ସବୁ ଖବର ଦେଇ, ପଚାରିବା । ଖାଇବାକୁ ସେ କହିଲେ ଏ ଦିହିଁଙ୍କ ପାଇଁ, ଠାଆ କରିବା ।

ମାଧବୀ- ଆଲୋ, ଯିବା ଯେ ଗୋଟିଏ କଥା ମନକୁ ଆସିଲା, ଶୁଉଣ୍‌-

ମାଳତୀ- କଅଣ ?

ମାଧବୀ- ୟେ ଦିହେଁ ତ ପଇତା ପକେଇଛନ୍ତି- ବ୍ରାହ୍ମଣ । ଆମ ଖନ୍ଦାରେ ଖାଇବେଟି ?

ମାଳତୀ- ସେଇଥିକି ପଞ୍ଚା ପରା ମାଗିଲେ, ଆପେ ରାନ୍ଧି ଖାଇବାକୁ ।

ମାଧବୀ- ରାନ୍ଧି ତ ପାରିଲେ ନାହିଁ । ଏଣେ ଭୋକରେ ପେଟ ଜଳୁଚି । କହନ୍ତି ପରା ‘ପେଟ ପୋଷ-ନାହିଁ ଦୋଷ’ ।

ମାଳତୀ- ସତ କହିଲୁ । ଚାଲ ଚାଲ । ମହାଦେଈଙ୍କି ଜଣାଇ ୟାଙ୍କୁ ଖାଇବାକୁ ଦେବା । ମାଗିଲେଣି ତ ସେ । (ଦୁହେଁ ଚାଲିଗଲେ)

 

ତ୍ରୟୋଦଶ ଦୃଶ୍ୟ

(ମହାଲକ୍ଷ୍ମୀଙ୍କ ନଅର ଦ୍ୱାର)

ଜଗନ୍ନାଥ-                  (ଗୀତ)

ଆସ ଭାଇ !

ଆଉ ଉଛୁର କର କାହିଁ ପାଇଁ ?

ଡାକି ଗଲାଣି ଦାସୀ

ଦେବା ପାଇଁ ପରଶି

ଅନ୍ନ ତିଅଣ ଆମ୍ଭ ପାଇଁ

ଆଉ ବିଚାରେ ଫଳ ନାଇଁ ।।୦।।

ବଳଭଦ୍ର-

ପେଟ ଜଳୁଛି ଭାଇ !

ବିଚାର ବେଳ କାହିଁ ?

ହୁଅନ୍ତୁ ଯେଉଁ ଜାତି-ପେଟ ତ ଯାଏ ତାତି

ଭୋଖେ ମରୁଛେଁ ଦୁଇ ଭାଇ ।।୦।।

 

 

ଜଗନ୍ନାଥ-

ପାରୁଶ ବାଢ଼ି ଦେଇ

ରହିଛି ଦାସୀ ଚାହିଁ

ଆଗରେ ଚାଲ ଭାଇ,

ଆସିବା ମୁହଁ ହାତ ଧୋଇ ।।

(ଆଗରେ ବଳଭଦ୍ର ଓ ପଛରେ ଜଗନ୍ନାଥ ଚାଲିଗଲେ)

 

ଚତୁର୍ଦ୍ଦଶ ଦୃଶ୍ୟ

(ଠାଆ ବଢ଼ା ହୋଇଛି । ବଳଭଦ୍ର ଓ ଜଗନ୍ନାଥ ଭୋଜନରେ ବସିଛନ୍ତି । ହାତରେ ପୋଡ଼ପିଠା ଥାଳିଧରି ମାଳତୀ ପହଞ୍ଚିଲା ।)

ବଳଭଦ୍ର- ବାଃ, ଦିବ୍ୟ ଭୋଜନ ମିଳିଗଲା । ଆଉ କୁଆଡ଼େ ଆଇଲ ତୁମେ ?

ମାଳତୀ-                  (ଗୀତ)

ମହାଦେଈଙ୍କର ଆଦେଶେ ଆସିଲି,

ପୋଡ଼ପିଠା ଦୁଇଖଣ୍ଡି ଦେବିବୋଲି

ଦୁହିଁଙ୍କ ଭୋଜନ ଶେଷେ ।

ଅନୁମତି ହେଲେ ପରଶିବି ମୁହିଁ

ଜଣା କରିବାକୁ ଆଉ କିଛି ନାହିଁ

କହିଛନ୍ତି ଦେବୀ ବାରିଆସିବାକୁ

ଭୋଜନ କଲେକି ତୋଷେ ।।

ବଳଭଦ୍ର-                  (ଗୀତ)

ଦେବୀଙ୍କୁ ତୁମ୍ଭର ଜଣାକର ଯାଇ,

ସୁଖରେ ଭୋଜନ କଲୁ ଦୁଇଭାଇ ।

ତାଙ୍କ ଉପକାର                  ସୁଝିହେବ ନାହିଁ
ମରୁଥିଲୁଁ ଭୋଖ ଶୋଷେ ।।

ମାଳତୀ- ଆଉ କିଛି ଲୋଡ଼ା ଥିଲେ କୁହନ୍ତୁ ?

ବଳଭଦ୍ର- ଏ ଅମୃତ ଭୋଜନପରେ ଆଉ କିଛି ଦର୍କାର ନାହିଁ । ତୁମ ମହାଦେଈଙ୍କୁ ଏକଥା କହିବ, ଯାଅ ।

ମାଳତୀ- ଗଲି ତେବେ ।

ବଳଭଦ୍ର- ହଁ ଯାଅ, ଆମେ ମୁହଁ ଧୋଇବାକୁ ବାହାରିଲୁଁ ।

ମାଳତୀ- ହଉ ଆଜ୍ଞା ! (ଘର ଭିତରକୁ ମାଳତୀ ଚାଲିଗଲା ।)

ବଳଭଦ୍ର- ଜଗନ୍ନାଥ ! (ବଡ଼ ଆଶ୍ଚର୍ଯ୍ୟ କଥା । ଲକ୍ଷ୍ମୀଙ୍କ ହାତରାନ୍ଧଣା ପରି ଲାଗୁଛି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଆମର ଭୋଜନ ଶେଷରେ ପୋଡ଼ପିଠା କିପରି ପରଶାଗଲା ? ଏସବୁ ତ ଆମର କଳ୍ପନାରେ ମଧ୍ୟ ଆସୁନାହିଁ ।

ଜଗନ୍ନାଥ- ମୁଁ ତ ସେଇକଥା ଭାବୁଛି ।

ବଳଭଦ୍ର- ଚାଲ, ଉଠ । ହାତ ମୁହଁ ଧୋଇବା ।

(ମାଳତୀ ପୁଣି ଆସିଲା)

ମାଳତୀ- ଆଜ୍ଞା, ପୁଣି ଆସିଲି । ମହାଦେଈ ଡାକୁଛନ୍ତି ସାନ ଭାଇନାଙ୍କୁ ଟିକିଏ ତାଙ୍କ ପାଖକୁ ଯିବାକୁ।

ବଳଭଦ୍ର- ହଉ, ମୁହଁ ଧୋଇସାରି ସେ ଯିବେ ।

ମାଳତୀ- ମୁଁ ତେବେ ବାହାର ଦୁଆରେ ଅପେକ୍ଷା କରୁଛି ।

ବଳଭଦ୍ର- ହଉ ।

(ମାଳତୀ ଘର ଭିତରକୁ ଓ ବଳଭଦ୍ର, ଜଗନ୍ନାଥ ପାଣି ନୋଟା ଧରି ବାହାରକୁ ଗଲେ ।)

 

ପଞ୍ଚଦଶ ଦୃଶ୍ୟ

(ଲକ୍ଷ୍ମୀ ଆସନରେ ବସିଥିଲେ । ଆସିଲା ମାଳତୀ)

ଲକ୍ଷ୍ମୀ- କଅଣ ଲୋ ? ...ଡାକିଲୁ ?

ମାଳତୀ- ବ୍ରାହ୍ମଣନନା ଦୁହେଁ ଭୋଜନସାରି, ମୁହଁ ଧୋଇବାକୁ ଗଲେ । ମୁହ ଧୋଇସାରି ସାନ ଜଣକ ଆସୁଛନ୍ତି । ଦୁଆରେ ହେବେଣି । ଡାକି ଆଣିବି ଭିତରକୁ ?

ଲକ୍ଷ୍ମୀ- ଯା ଯା, ମାଧବୀକୁ କହ, ଗୋଟିଏ ସୁବର୍ଣ୍ଣ ଥାଳିରେ ଫୁଲ ଆଉ ବନ୍ଦାପନା ସାମଗ୍ରୀ ଘେନି ବେଗେ ଆସିବ ଏଠିକି ।

ମାଳତୀ- ଆଜ୍ଞା- ମଣିମା, ମାଧବୀ ତ ଏଇଠି ଅଛି । ତାକୁ କହି ଦେଇ ଦୁଆର ମୁହଁରେ ସାନ ଜଣକୁ ଡକାଇବି ।

ଲକ୍ଷ୍ମୀ- ଯା, ଆଉ ଉଛୁର କରନାଇଁ ।

(ମାଳତୀ ଚାଲିଗଲା)

(ମାଧବୀ ବନ୍ଦାଣଥାଳି ଘେନି ପହୁଞ୍ଚିଲା)

ଲକ୍ଷ୍ମୀ- ଆରେ, ମନକଥା ଜାଣିଲାପରି ଦୀପ ତ ଲଗାଇକରି ଆଣିଛୁ ମାଧବୀ, ସେଇଠି ଥୋଇଦେଇ ଯା ।

(ମାଧବୀ ଚାଲିଗଲା ବନ୍ଦାଣଥାଳି ରଖିଦେଇ) (ଲକ୍ଷ୍ମୀ ବନ୍ଦାଣଥାଳି ଉଠାଇଲାବେଳେ ଜଗନ୍ନାଥ ପ୍ରବେଶ କଲେ.....)

 

ଜଗନ୍ନାଥ-                  (ଗୀତ)

ଥାଉ ଥାଉ ଥାଉ ମହାଦେଈ !

ମୋତେ ଆଉ ଲାଜ ଦିଅ ନାହିଁ

କଲା କରମର ଫଳ ହାତେ ହାତେ

ଭୋଗୁଲୁଣି ଆମେ ଦୁଇ ଭାଇ ।।

 

ତୁମେ ମୋର ନ ଧର ଦୋଷ

ବଡ଼ଭାଇ ଦେଲେ ଆଦେଶ

ଚଣ୍ଡାଳୁଣୀ ସେବାପୂଜା ପାଉଥିଲ

ଦେଖିଥିଲେ ନିଜ ଆଖିରେ ସେହି ।।

 

ବୁଲିବୁଲି ବାର ଦୁଆର

କାହିଁ ନ ମିଳିଲା ଆହାର

ଥାଉ ଆଉ କଥା ଗାଆଁ ରେଗଣ୍ଡାରେ

ତଡ଼ି ଦେଲେ ଲୋକେ ଦୁଆର ଦେଇ ।।

 

ମନେ ଆଉ ରୋଷ ନ ଧରି

ଚାଲ ଆମ୍ଭ ସଙ୍ଗତେ ଫେରି

ବଳଭଦ୍ର ଭାଇ ଭ୍ରମ ବୁଝିଲେଣି

କଥା ରଖ ଆମ ଦୁଃଖକୁ ଚାହିଁ ।।

ମହାଲକ୍ଷ୍ମୀ- ମୁଁ ବାହୁଡ଼ି ଯିବାକୁ ରାଜି ଅଛି, ବାକି ମୋ ଅନୁରୋଧ ରଖିଲେ ଯିବି ।

ଜଗନ୍ନାଥ- କଅଣ କୁହ ।

ମହାଲକ୍ଷ୍ମୀ-                                    (ଗୀତ)

ପୂଜା ଭୋଗ ଲାଗି ବ୍ରାହ୍ମଣ, ଚଣ୍ଡାଳ ଭେଦାଭେଦ ନ ରହିବ,

ଛିଡ଼ାଇ ଚଣ୍ଡାଳ-ହାତରୁ ବ୍ରାହ୍ମଣ ପ୍ରସାଦ ସୁଖେ ପାଇବ,

ଅଇଁଠା ଶଙ୍କୁଡ଼ି ବୋଲି ମଣି କେହି ହାତ ନ ଧୋଇବ,

ପରସାଦ ପାଇ ହାତକୁ ଆପଣା ମଥାରେ ବୁଲାଇ ଦେବ ।

ସତ୍ୟ କର ମହାବାବୁ !

ଜଗତେ ପ୍ରଘଟ ହୋଇବ ଏକଥା

ଅନ୍ୟଥା ନୋହିବ ଆଉ ।

ଜଗନ୍ନାଥ-

ମହାଦେଈ ଗୋ ମହାଦେଈ,

ସବୁ ତୁମ୍ଭ କଥା ପାଳିତ ହୋଇବ

ଅନ୍ୟଥା ହୋଇବ ନାହିଁ ।

ମନକଥା ଶୁଣ ମୋର,

ଆମ୍ଭଠାରେ ଯେଉଁ ଥାଳି ବଢ଼ା ହେବ

ପ୍ରସାଦ ନାମଟି ତାର ।।

 

ବ୍ରାହ୍ମଣ, ଚଣ୍ଡାଳ ଏକତ୍ରେ ଭୁଞ୍ଜିବେ

ଏହି କଥା ହେଉ ସାର

ଚାଲ ମନ୍ଦିରକୁ ଚାଲ ।

ବଡ଼ଭାଇ ତେଣେ ଚାହିଁ ରହିଛନ୍ତି

ହେଲାଣି ଆରତୀ ବେଳ ।।

(ହାତ ଧରି ଲକ୍ଷ୍ମୀଙ୍କୁ ନେଇଗଲେ)

 

 

 

 

 

 

 

ଷୋଡ଼ଶ ଦୃଶ୍ୟ

(ଶ୍ରୀମନ୍ଦିର । ଶ୍ରୀ ଜିଉଙ୍କ ସନ୍ଧ୍ୟାରତି ବଢ଼ୁଥିଲା ।

ସେବକମାନେ ଶଙ୍ଖଧ୍ୱନି କରି ପ୍ରଣାମ କଲେ)

 

ମିଳିତ କଣ୍ଠ-                  (ଗୀତ)

ଜୟ ମା କରୁଣାମୟୀ ସାଗର-ନନ୍ଦନୀ

ଜୟ ଜୟ ଜଗନ୍ନାଥ-ଅଙ୍କ-ବିଳାସିନୀ

ହୁଅ ପରସନ୍ନା ।

ଜଗତମାତା ମା !

ଜଣାକରୁଁ ଚରଣେ ପ୍ରଣମି ।।୧।।

 

ଚଉବର୍ଗ ଫଳ ଦାୟିନୀ

କରୁଣାକର ଗୋ ଜନନୀ !

ଭକତି ତୋ ପଦେ, ରହୁ ନିଶି, ଦିନ

ଏତିକି ମାତର ମାଗୁଣି ।।।।