କଳ୍ପନାକୁଞ୍ଜ

କଳ୍ପନାକୁଞ୍ଜ

ଚିନ୍ତାମଣି ମହାନ୍ତି

 

ବାଣୀ-ବୀଣା

ବାଜ ବାଜ ବାଣୀ-ବୀଣା            ବାଜ ଆଉ ଥରେ,

ବାଜୁଥିଲୁ ପୂର୍ବେ ଯଥା            ଆଦିକବି କରେ ।

ଜାଗୁ ତୋର ସ୍ୱରେ ସୁପ୍ତା-      ଭାରତ-ଅବନୀ,

ରନ୍ଧ୍ରେ ରନ୍ଧ୍ରେ ଉଠୁ ତାର            ଧ୍ୱନି ପ୍ରତିଧ୍ୱନି ।

 

ନୈରାଶ୍ୟ-ବିଷକୁ ତୋର            ଅମୃତ ଝଙ୍କାର,

ଭାର୍ସଭାର ପଦ କିମ୍ବା            ଗରୁଡ଼ ହୁଙ୍କାର * ।

ଶୁଣି ତୋର ସଞ୍ଜୀବନୀ            ସୁସ୍ୱର ଲଳିତ,

ଶୁଷ୍କତରୁ ହୋଇଉଠେ            ନବପଲ୍ଲବିତ ।

* ବିଷଝଡ଼ା ମନ୍ତ୍ର ମଧ୍ୟରେ ଗରୁଡ଼ ହୁଙ୍କାର ଏବଂ ଭାର୍ସଭାର ସର୍ବପ୍ରଧାନ ।

 

ସାଗରକଲ୍ଲୋଳ ଖେଳେ            ମହା ମରୁସ୍ଥଳେ,

ଶୈବାଳ-ସରସୀ ଶୋଭେ      ବିକଚ-କମଳେ ।

ଥିଲା ଯେବେ ଦିନ ଆହା             ଭାରତ-ଭବନେ,

ପ୍ରତିସ୍ଥାନୁ ଉଠୁଥିଲା            ତୋ ସ୍ୱର ସଘନେ ।

 

ମାତ୍ର ସେ ଉନ୍ନତି ଯୁଗ            ହୋଇଅଛି ଗତ,

ହୋଇଗଲାଣି ତ ସବୁ             ଗତକଥା ଖତ ।

ବାଜ ପୁଣି ବାଦ୍ୟରାଣି !            ବାଜ ସପ୍ତସ୍ୱରେ,

ଫେରିଆସୁ ସେ ସୌଭାଗ୍ୟ      ଶୁଭଦିନ ଖରେ ।

ଶୁଣି ତୋର ସୁଧାମୟୀ            ଅମର-ମୂର୍ଚ୍ଛନା,

ବିଦ୍ୟୁତ ବେଗରେ ଜାଗୁ            ଉନ୍ନତି-କାମନା ।

 

ଜନ୍ମଭୂମି

ଜନ୍ମଭୂମି, ଜନୟିତ୍ରୀ            ସମାନ ଉଭୟ,

ପୋଷନ୍ତି ସନ୍ତାନେ କରି            ନିଜ-ତନୁ-କ୍ଷୟ ।

ଉଭୟ ନାମରୁ ହୁଏ             ଯେ ରସ ନିଃସୃତ,

କି ଛାର ଅମୃତ ? ତାହା            ମର୍ତ୍ତ୍ୟେ ମହାମୃତ ।

 

ମାତୃଭୂମି, କି ବର୍ଣ୍ଣିବି            ତୋ ମହାମହିମା,

ବଳଇ ତା ସିନା ଦେବି !            ବର୍ଣ୍ଣନାର ସୀମା ।

କି ସ୍ଥାବର କି ଜଙ୍ଗମ             ତୋ ଦେହୁଁ ଜନ୍ମିଣ,

ହୋଇଯାଉଛନ୍ତି ପୁଣି            ଶେଷେ ତହିଁ ଲୀନ ।

 

ସୃଜନ ପାଳନ ନାଶ             ଏହି ଦୃଶ୍ୟତ୍ରୟ,

କରୁଅଛୁ ଅନୁକ୍ଷଣ            ତୁହି ଅଭିନୟ ।

ତୋ ସୃଷ୍ଟ ଦ୍ରବ୍ୟର ତୁହି             ଯଥା ରୁପାନ୍ତର,

ତଥା ପ୍ରତିରୂପ ସର୍ବେ            ଅଟନ୍ତି ତୋହର ।

 

କେବଳ ରତନ ରେଣୁ            ତୋ ରେଣୁ ସମାନ,

ତୁଳନାରେ କଦାଚିତ            ନୁହେଁ ମୂଲ୍ୟବାନ ।

ନିରନ୍ତର ସମସ୍ତଙ୍କ            ଆଶ୍ରୟ ସେ ଯେଣୁ,

ସରି ନୁହେଁ ତାହା ସଙ୍ଗେ            କେଉଁ ତୀର୍ଥ-ରେଣୁ ।

 

ତୋହ ଜଳ ତୋହ ବାୟୁ            ଶାନ୍ତିସୁଖପ୍ରଦ,

ମଣେ ମୁଁ ନ ଥିବ ସ୍ୱର୍ଗେ            ସେରୂପ ସମ୍ପଦ ।

ଜୀବନେ ମରଣେ ତୁହି            ଜୀବର ସମ୍ବଳ,

ତୋ ପଦସେବାରେ ମିଳେ      ଚତୁର୍ବଗଫଳ ।

 

 

 

ମାତୃଭାଷା

ମହାମହୀୟସୀ ଦେବୀ            ମାତା ମାତୃଭାଷା,

ସଂସାର-କାନ୍ତାରେ ତୁହି            ମାନବର ଆଶା ।

ବିରାଟ ମାନବ ବିଶ୍ୱ             ତୋ ଯୋଗେ ଚାଳିତ,

ପାଳିତ ହେଉଛି ସଦା            ପୁଣି ନିୟନ୍ତ୍ରିତ ।

 

କିଛିକାଳ ପୋଷି ମାତା            ହୁଅନ୍ତି ଅନ୍ତର,

ମାତ୍ର ତୁହି ଆଜୀବନ            ପୋଷୁ ନିରନ୍ତର ।

ପରମାତ୍ମା ଜୀବାତ୍ମାର            ଅଛି ଯେ ସମ୍ବନ୍ଧ,

ସେ ଦୃଢ଼ ସମ୍ପର୍କେ ନର            ତୋଠାରେ ଆବଦ୍ଧ ।

 

ସାହିତ୍ୟିାଦି ଶାସ୍ତ୍ରେ ସୃଜ            ନିଜ ଦେହେ ଚିତ୍ରି,

ମାନବକୁଳର ତୁହି            ମହା ଶିକ୍ଷୟତ୍ରୀ ।

ପଶୁଠାରୁ ଭିନ୍ନ ସିନା            ତୋ ସକାଶୁ ନର,

ସୁଖ-କର୍ଣ୍ଣଧାର ଅଟୁ            ଜୀବନ-ନାବର ।

 

ତୋହ ଯୋଗୁଁ ନର             ସିନା ସମର୍ଥ ସର୍ବଥା,

ଝିଙ୍କିଆଣିବାକୁ ମର୍ତ୍ତେ            ଅମର୍ତ୍ତ୍ୟ ନରତା ।

ଶବ୍ଦଦେହା ! ଦେହେ             ବୋଳି ହୋଇଛୁ କି ସୁଧା,

କରାଏ ଆତ୍ମାର ତାହା            ଦୂର ତୃଷ୍ଣା କ୍ଷୁଧା ।

 

ହେଉ ପଛେ ମାତୃସ୍ୱର            ରୁକ୍ଷ ବା କୋମଳ,

ଢାଳେ ସେ ସନ୍ତାନ             କର୍ଣ୍ଣେ ସୁଧା ଅନର୍ଗଳ ।

କରୁ ଦେବି, ମତି ଶକ୍ତି            ପ୍ରତିଭା ସ୍ଫୁରଣ,

ପାରତ୍ରିକ-ପଥର ତୁ            ସାରଲ୍ୟ କାରଣ ।

 

ଯେତେ ପୁଣ୍ୟ ହୁଏ             ଦେବ-ସେବା-ତୀର୍ଥାଟନେ

ତହୁଁ କୋଟି ଗୁଣ ମିଳେ            ତୋ ପଦ ସେବନେ ।

ଦେବତାର ଦେବତା ତୁ            ତୀର୍ଥ ଯେ ତୀର୍ଥର,

ବ୍ରତ-ବ୍ରତ, ତପସ୍ୟାର            ତପସ୍ୟା ଆବର ।

 

ତପସ୍ୟା

ନିର୍ବିକାର ଚିତ୍ତେ ପିତୃ            ମାତୃ ବରୀବସ୍ୟା,

ଏ ସଂସାର-ତପୋବନେ            ପ୍ରଧାନ ତପସ୍ୟା ।

ମାତୃଭୂମି ମାତୃଭାଷା            ଜନନୀ ସମାନ,

ତାଙ୍କ ପଦ-ସେବା            ନୁହେଁ ତପସ୍ୟାରୁ ଆନ ।

 

ତୃତୀୟ ତପସ୍ୟା ସତ୍ୟ            ନିଶ୍ଚୟ ନିଶ୍ଚୟ,

ତାହା ଯୋଗୁଁ ଲଭେ             ନର ସର୍ବତ୍ର ବିଜୟ ।

ଇନ୍ଦ୍ରିୟସଂଯମ ପୁଣ୍ୟ            ଜୀବନ୍ମୁକ୍ତି ରାହା,

ତପସ୍ୟା ନାମରେ ଏଣୁ            ଅଭିହିତ ତାହା ।

 

ନିରଙ୍କୁଶ ଭାବେ ସ୍ୱୀୟ            କର୍ତ୍ତବ୍ୟ ସାଧନ,

ମହୀ-କର୍ମକ୍ଷେତ୍ରେ ମହା-            ତପସ୍ୟାଚରଣ ।

ଅହିଂସା ତପସ୍ୟା ମଧ୍ୟ୍ୟେ            ନାହିଁ କିଛି ଭେଦ,

ଉଚ୍ଚାରେ ଉଚ୍ଚରେ ଏହି            ମହାସତ୍ୟ ବେଦ ।

ତୀବ୍ର ତପ ସ୍ୱାର୍ଥଶୂନ୍ୟ            ପର ଉପକାର,

ଜନ୍ମ ଯନ୍ତ୍ରଣାରୁ ଜନେ            କରେ ସେ ଉଦ୍ଧାର ।

 

ସମ୍ବାଦପତ୍ର

ଆସ ଦେଶଦୂତ କରେଁ            କର ବିମର୍ଦ୍ଦନ,

କି ବାର୍ତ୍ତା ଆଣିଛ କହ            କରିବି ଶ୍ରବଣ ।

ନୃପତି-ସଚିବ ତୁମ୍ଭେ            ପ୍ରକୃତି-ସୋଦର,

ସାଧାରଣ ଶିକ୍ଷାଦାତା             ମାନବ ବିଶ୍ୱର ।

 

ହସ କଉତୁକ ଆଦି            ନାନା ରଙ୍ଗ ଧରି,

ପ୍ରକାଶିତ ହୁଅ ଆସି             ଇନ୍ଦ୍ରଧନୁ ପରି ।

କିମ୍ବା ତୁମ୍ଭେ ମଧୁକୋଷ,            ହୁଏ ଅନୁମିତ,

ନାନାଫୁଲ ମଧୁ ଆସି            ହୋଇଛି ସଞ୍ଚିତ ।

 

ଅବା ତୁମ୍ଭେ ହେବ ଚଳ-            ବିଶ୍ୱବିଦ୍ୟାଳୟ,

ବିତରୁଛ ଘରେ ଘରେ            ସୁଶିକ୍ଷାନିଚୟ ।

ନବୋନ୍ନତି ନବାଦର୍ଶ            ନବୀନ ସଭ୍ୟତା,

ପ୍ରଚାରୁଛ ଦେଶେ ଆଣି            ବିଦେଶୁ ସର୍ବଥା,

 

ରାଜନୀତି ଧର୍ମନୀତି            ସାହିତ୍ୟ ବିଜ୍ଞାନ,

ଇତିହାସ ଲୋକଚିତ୍ର            ଅପୂର୍ବ ଆଖ୍ୟାନ,

ବହୁଶିକ୍ଷା ତୁମ୍ଭଠାରୁ            ମିଳେ ଏକାଧାରେ,

କଳି-କଳ୍ପ-ଗୀତା ତୁମ୍ଭେ            ସମାଜସଂସ୍କାରେ ।

ପ୍ରକୃତି ପ୍ରକାରେ ଧର            ନିତ୍ୟ ନବ ଭାବ,

ଦେଶ ପକ୍ଷେ ସତ୍ୟଶିବ            ତବ ଆବିର୍ଭାବ ।

 

 

 

 

 

ପାନ୍ଥଶାଳା

ନ ପୋଷୁ ସଂକୀର୍ଣ୍ଣ ଭାବ            ତୁହି ପାନ୍ଥାଳୟ,

ଶୁଦ୍ଧ-ସାମ୍ୟ-ନୀତି ସଦା            କରିଛୁ ଆଶ୍ରୟ ।

ଦୁଃଖୀ ଧନୀ ରୋଗୀ ସୁସ୍ଥ      ମୂର୍ଖ ଜ୍ଞାନିଜନେ,

ସମଭାବେ ପରିଚର୍ଯ୍ୟା            କରୁ ସଯତନେ ।

 

ଦେଖାଉଛୁ ଅଭିନୟ            ସଦା ସଂସାରର,

ଆସୁଛନ୍ତି ଯାଉଛନ୍ତି            କେତେ ନିରନ୍ତର ।

ଦଣ୍ଡେ ପରିଚୟ ପରେ            କେ ଯାଉଛି କାହିଁ,

କାହାରି ସମ୍ପର୍କ କିଛି            କାହା ସଙ୍ଗେ ନାହିଁ ।

 

ଭବ-ପାନ୍ଥଶାଳେ ରୁଣ୍ଡ            ତଥା ପରିବାର

ସକଳେ ସ୍ୱତନ୍ତ୍ର ଶେଷେ            କେ ନୁହେଁ କାହାର ।

ମଣନ୍ତି ତୋ ଅଧିକାରୀ            ହୋଇଣ କୁଣିଆ,

ହସୁଥାଉ ଦେଖି ତୁ ଏ            ବାତୁଳପଣିଆ ।

 

ସେ ନୀରବ ମହାହାସ୍ୟ            ଦେଖେ ଯେ ମାନବ,

ବୁଝିଛି ସେ ପ୍ରଭୁତ୍ୱର            ଅସ୍ଥାୟୀ ଗୌରବ ।

ଭ୍ରମେ ଆପଣାର ବୋଲି             ମଣେ ତୋତେ ନର,

ମାତ୍ର ତୁ କାହାର ନୋହୁ,            ନିଜେ ତୁ ନିଜର ।

 

ପର୍ବତ

କେତେ ଦିନ ଯୋଗମଗ୍ନ            ଅଛୁ ରେ ଶିଖରି,

ଜଗତରେ ଯୋଗୀ ଏକା            ତୁହି ତୋହ ପରି ।

ସମଭାବେ ସହି ବାତ୍ୟା            ବୃଷ୍ଟି ଶୀତତାପ,

ସତତ ଅଟଳ ରହି            ଆଚରୁଛୁ ତପ ।

 

କେ କହିବ ମୋତେ ଗିରି            କେବଣ ଆଶାରେ,

ସମ୍ଭାଷୁଛୁ ମହାକାଳେ            ନୀରବ ଭାଷାରେ ।

ସାଧୁ ପ୍ରାୟେ ଦିଶୁ ତୁହି            ବାହ୍ୟେ ଅକୋମଳ,

ମାତ୍ର ତୋର ଅଭ୍ୟନ୍ତର             ଶୀତଳ ତରଳ ।

 

ହେଲେହେଁ କଠୋର ରୁକ୍ଷ      ନାରିକେଳ ଫଳ

ମାତ୍ର ଗର୍ଭେ ନ ଧରେ କି            ସୁମଧୁର ଜଳ ।

କହ କହ ଗିରିରାଜ ମେଣ୍ଟୁ      ମୋ ସନ୍ଦେହ,

କାହୁଁ ଆଣି ସଲିଳ ତୁ            ମଣ୍ଡିଅଛୁ ଦେହ ।

 

କେମନ୍ତେ କହିବୁ ଅବା            ନୋହୁ ତ ସ୍ୱତନ୍ତ୍ର

ଯନ୍ତ୍ରୀ ଜଣେ ଅଛି ତୋର            ତୁ କେବଳ ଯନ୍ତ୍ର ।

ଇତିହାସ-ଗ୍ରନ୍ଥ ତୁହି,            ତୋହରି ବକ୍ଷରେ,

ଖୋଦିତ ଘଟଣା କେତେ            ଅଦୃଶ୍ୟ ଅକ୍ଷରେ ।

 

ଅବା ମର୍ତ୍ତ୍ୟ-ଧନ୍ୱନ୍ତରୀ,             ବହୁ ମହୌଷଧି,

ବିତରୁଛୁ ଅକାତରେ            ମରେ ନିରବଧି ।

ତଟିନୀ କନ୍ୟାଏ ତୋର            ପ୍ରଦାନି ଜୀବନ,

କରୁଛନ୍ତି ମହୀରେ ତୋ            ମହିମା କୀର୍ତ୍ତନ ।

ଅସ୍ଥି ମାଂସ ସମ୍ପର୍କ ତୋ            ପୃଥିବୀ ସହିତ,

ମାତ୍ର ତୁ ପାର୍ଥିବ ବାତେ            ନୋହୁ କଳୁଷିତ ।

 

ଇନ୍ଦ୍ରଧନୁ

କେଡ଼େ ବାହାରିଆ             ଦିଶେ ନଭେ ଇନ୍ଦ୍ରଧନୁ,

ସପ୍ତରଙ୍ଗ ସୁରଞ୍ଜିତ            ଢଳ ଢଳ ତନୁ ।

କିପାଇଁ ରଚିଛି କିଏ            ଏ ଚାରୁ ତୋରଣା,

ଭାବି ଏହା ମହାଲୋକ            ହୁଏ ବୁଦ୍ଧି ବଣା ।

 

ସପତ ମୂରୁଜେ କିବା            ଦିଗ-ତପସ୍ୱିନୀ,

କାଟିଛି ତ୍ରିବଳି-ଚିତା            ଭାଲେ ଓଜସ୍ୱନୀ ।

ଏହାର ଉଦୟ ଅସ୍ତ            ବାଦ୍ୟସ୍ୱର ପ୍ରାଏ,

ଜାଣି ନୁହେଁ କାହୁଁ ଆସି            କାହିଁ ଚାଲିଯାଏ ।

 

ଜୀବନ ସ୍ଫୁଲିଙ୍ଗ ପ୍ରଭା            ଦେଖାଇ ଏସନ,

ମୁହୂର୍ତ୍ତକେ କାହିଁ ମିଶି            ହୁଏ ଅଦର୍ଶନ ।

ଜୀବନ-ପ୍ରଭାତୁ ଧନୁ-            ଶୋଭା ଦେଖି ଦେଖି,

ତଥାପି ନ ପାରେ କିପାଁ            ଦିଦୃକ୍ଷା ଉପେକ୍ଷି ।

ବୁଝିଲି ବୁଝିଲି ଏବେ            ବୁଝିଲି ଏ ତତ୍ତ୍ୱ,

ଉଦେ ହୁଏ ଘେନି ସେହୁ            ନିତ୍ୟ ନୂତନତ୍ୱ ।

 

କୁରରୀ

କାହିଁକି ଝୁରୁଛୁ ପକ୍ଷୀ,            ବସି ସାରାଦିନ

ହୋଇ ଅତି ଉତ୍ତରଳ            ଶୋକର ଅଧୀନ ।

ବିଷାଦ କରୁଣା ସ୍ନେହ            ବାତ୍ସଲ୍ୟ ମମତା,

ଆଭାସିଉଠୁଛି ତୋର            ବିଳାପୁ ସର୍ବଥା ।

 

ଡାକୁଛୁ ‘‘ଉଠ ରେ ପୁତା’’            ଉଚ୍ଚରେ କାହାକୁ,

ଏଡ଼େ କି ବଧିର କିଏ            ନ ଶୁଭେ ତାହାକୁ ।

ଅଥବା ଗତାୟୁ ତୋର            ହୃଦୟର ଧନ,

ତେଣୁ ଅନ୍ତର୍ଭେଦୀ ସ୍ୱରେ            କରୁଛୁ କ୍ରନ୍ଦନ ।

 

ନୈରାଶ୍ୟ କୈବଲ୍ୟମୟ            କରୁଣ-ସଙ୍ଗୀତ,

ଶୁଣି ତୋର ବିଦ୍ରବେ କି            ଭବେ କାହା ଚିତ୍ତ ।

କେହି କି ଲୋ ପଦେ            କେବେ ଅର୍ପିଛି ସାନ୍ତ୍ୱନା,

ସ୍ୱାର୍ଥପର ସଂସାରକୁ            ସେ ରୀତି ତ ମନା ।

 

ଶୋକର ତୁ ପ୍ରିୟଶିଷ୍ୟା            ପିଟି ଶୋକଛାଟ

ପଢ଼ାଉ ସେ ଥିବ ସଦା            ତୋତେ ଶୋକପାଠ

ନ ଝୁର ନ ଝୁର ଆଉ            ନିରୀହା କୁରରୀ,

ଢାଳିବେ ତୋ ପ୍ରାଣେ ସୁଧା      ଦୟାମୟ ହରି ।

 

ଧର୍ମ

ମାନବକୁଳର ଧର୍ମ            ପ୍ରଧାନ-ବନ୍ଧନୀ,

କ୍ଷିପ୍ତମନେ ଶାସେ ସେହୁ            କମ୍ପାଇ ତର୍ଜନୀ ।

ବାତୁଳ-ବାରଣ-ମନ            ଭ୍ରମେ ଯଥାତଥା,

ଧର୍ମ ତାର ତୀକ୍ଷ୍‌ଣଲୌହ            ଅଙ୍କୁଶ ସର୍ବଥା ।

 

କାୟମନୋବାକ୍ୟେ ଯେହୁ      ପ୍ରତିପାଳେ ଧର୍ମ,

ତାହାର ଶରୀରେ ଧର୍ମ            ହୁଏ ବଜ୍ରବର୍ମ ।

ଅନିତ୍ୟ ପଦାର୍ଥ ନୁହେଁ            ଧନପଦେ ଲେଖା,

ଧର୍ମ ନିତ୍ୟ ଅପାର୍ଥିବ            ମହାଧନ ଏକା ।

 

ସର୍ବଧର୍ମ ଏକ, ନାହିଁ            ପ୍ରବଳ ଦୁର୍ବଳ,

ଲାଗେ କି ଶ୍ୱପତଗୃହ-            ଅନଳ ଶୀତଳ ।

ମିଳନ୍ତି ମହୀରେ ବହୁ            ସଖା ପ୍ରିୟତର,

ମହୀରେ ଆବଦ୍ଧ ମାତ୍ର            ପ୍ରୀତି ତାହାଙ୍କର ।

 

ଧର୍ମ ଏକା ନିତ୍ୟସଖା            ଇହ ପରକାଳେ,

ଛାୟା ପ୍ରାୟ ସତତ ସେ            ସଙ୍ଗେ ସଙ୍ଗେ ଚାଲେ ।

ଧର୍ମୋପରି ପ୍ରତିଷ୍ଠିତ            ଜଗତର ପ୍ରାଣ,

ତା ବିନା ସେ ହୋଇଯିବ            ଭୀଷ୍ମଣ ଶ୍ମଶାନ ।

 

 

 

 

 

 

ପବନ

ବିଧାତାର ମହାଶକ୍ତି            ତୁହି ରେ ପବନ,

ସମ୍ପୂର୍ଣ୍ଣ ସାର୍ଥକ ତୋର            ଅଭିଧା ‘‘ଜୀବନ’’ ।

ପ୍ରଧାନ-ଚାଳକ ତୁହି            ଶରୀର-ଯନ୍ତ୍ରର,

ତୋହଠାରେ ଭେଦାଭେଦ      ନାହିଁ ଆତ୍ମପର ।

 

ସୃଷ୍ଟିକାଳୁ କରୁଅଛୁ            ଗତି ଅବିରାମ,

ବିଶ୍ରାମ ଦୂରରୁ କରେ            ତୋ ପଦେ ପ୍ରଣାମ ।

ରହିଅଛୁ ପରିପୂରି            ଅନ୍ତରେ ବାହାରେ,

ସେବନ୍ତି ପ୍ରାଣୀଏ ସଦା            ଆହାରେ ବିହାରେ ।

 

ପ୍ରକୃତି ଆଜ୍ଞାରେ ଧରୁ            ଶୀତ ଉଷ୍ଣ ଭାବ,

ଭୀତ ହୁଏ ସୃଷ୍ଟି ହେରି            ତୋ ରୁଦ୍ର ପ୍ରଭାବ ।

ଆଚରିଛୁ ନିତ୍ୟବ୍ରତ            ଧରା ପର୍ଯ୍ୟଟନ,

ପୃଥ୍ୱୀ ପୁରାବୃତ୍ତବେତ୍ତା            ଯେଣୁ ପୁରାତନ ।

 

ନାହିଁ ତୋ ଆକାର ବର୍ଣ୍ଣ            ସଦା ଶୂନ୍ୟମୟ,

ସ୍ପର୍ଶେ ମାତ୍ର ଦେଉ ମହା-            ସତ୍ତା ପରିଚୟ ।

ତୋ ମହାମହିମା ଚିନ୍ତି            ହୁଏ ମୁଁ ସ୍ତମ୍ଭିତ,

ନଭ ପ୍ରାୟ ତୁହି ଧ୍ୟ୍ୟାନ            ଧାରଣା ଅତୀତ ।

 

ଇଚ୍ଛା କଲେ ମୁହୂର୍ତ୍ତକେ            ତୁହି ପବମାନ,

କରିପାରୁ ଏ ମହୀକି            ଭୀଷଣ ଶ୍ମଶାନ ।

କର୍ମ ସିନା ବାରିଦିଏ ବୋଲି      ମାନବ ଦେବତା,

ଚିହ୍ନାଏ ଦେବତା ବୋଲି            ତୋତେ ତୋ କ୍ଷମତା ।

 

ରଜନୀ

ସ୍ୱାଗତ ଦିବସ-ବଧୂ            ଦେବୀ ନିଶୀଥିନୀ,

ତାରା-କୁନ୍ତଳିନୀ ଶାନ୍ତି-            ଶ୍ରାନ୍ତି-ବିଧାୟିନୀ ।

ଥକିପଡ଼ି ସ୍ୱାମୀ ତବ             ଆଶ୍ରିଲେ ବିଶ୍ରାମ,

ତୁମ୍ଭେ ଆସି ରାଜପଣ            କର ଚତୁର୍ଯାମ ।

 

ପୁରୁଷ ପ୍ରକୃତି ଭବେ            ସୁକଠୋର ଅତି,

ତେଣୁ ସୁକଠିନ ଦିନ            ଶାସନ ପଦ୍ଧତି !

ବାକାଜାତି ତୁମ୍ଭେ, ତୁମ୍ଭ            ସ୍ୱଭାବ କୋମଳ,

ତଥାହିଁ ଶାସନ ନୀତି            ଶିଥୀଳ ଶୀତଳ ।

 

କରିଗଲେ ପତି ତବ            ଜୀବେ ଅବସନ୍ନ,

ଫେଡ଼ ତାଙ୍କ ଅବସାଦ            ତୁମ୍ଭେ ଗୋ ବହନ ।

ମଧୁର ରାଜତ୍ୱେ ତବ            ଏ ମର ଜଗତ,

ସୁଷମା ବିକାଶେ ହୋଇ            ସ୍ୱର୍ଗେ ପରିଣତ ।

 

ବହଇ ସର୍ବତ୍ର ସୁଖ-            ଶାନ୍ତି-ସୁଧା-ଧାରା,

ଭାବୁକ ହୃଦୟ-ନଭେ            ଫୁଟେ ଭାବ-ତାରା ।

ଅବଶ-ଶରୀର-ଯନ୍ତ୍ରେ            ଶ୍ରାନ୍ତି-ତୈଳ ଢାଳି,

ଦେଉଅଛ ଦେବି !            ତାକୁ ନିତ୍ୟ ପରିଚାଳି ।

ନିତ୍ୟ ପବ ବଳ ଦାନ            ତବ ନିତ୍ୟବ୍ରତ,

ପ୍ରକୃତି ଆଦେଶେ ତାହା            ପାଳୁଛି ସତତ ।

 

ସାଗର

କି ଅଚିନ୍ତ୍ୟ ମହାଶକ୍ତି            ଧରୁ ରେ ସାଗର,

ଇଚ୍ଛାକଲେ ଗ୍ରାସିପାରୁ            ଲବେ ଚରାଚର ।

ମାତ୍ର ଲଙ୍ଘୁ ନାହିଁ ଗାରେ            ବେଳାଭୂମି ସୀମା,

ଧନ୍ୟ ତୁହି ସତ୍ୟସନ୍ଧ            ଧନ୍ୟ ତୋ ମହିମା ।

 

ରତ୍ନାକର ହେଲେ ସୁଦ୍ଧା            ସେ ରତ୍ନ ସହିତ,

ନାହିଁ ପାରାବାର ତୋର            ସମ୍ପର୍କ କିଞ୍ଚିତ ।

ତାହା ଯୋଗେ ଆନ ହୁଏ            ପୂଜ୍ୟ ଭାଗ୍ୟବାନ,

ସାଧୁ ସିନା ଅର୍ଜେ ଧନ            କରିବାକୁ ଦାନ ।

 

ନୋହିଲେ କି କାଦମ୍ବିନୀ            ଶୋଷି ତୋ ପୟ,

ରଖନ୍ତା ସଯତ୍ନେ କରି             ଗର୍ଭରେ ସଞ୍ଚୟ ।

ବିପୁଳ କୁଟୁମ୍ବୀ ସିନ୍ଧୁ,            ସର୍ବ ପରିବାରେ,

ପାଳୁଅଛୁ ନିତ୍ୟ ତୁହି            ସମାନ ପ୍ରକାରେ ।

 

କହ କହ ତୀର୍ଥରାଜ            ପ୍ରାଣମନ ସହ,

କାହାକୁ ତୁ ଡାକୁଅଛୁ            ଉଚ୍ଚେ ଅହରହ ।

କାହା ଭାବେ ତନ୍ମୟ ତୁ            ଅସମ୍ଭାଳ ବେଶେ,

ଶୁଭେ କି ତୋ ଡାକ ସେହି      ଅନୁଦ୍ଦେଶ୍ୟ ଦେଶେ ।

ଡାକୁଥା ଡାକୁଥା ସଦା            ଅତି ଉଚ୍ଚସ୍ୱରେ,

କେବେହେଲେ ଶୁଭିବ ତୋ      ଡାକ ନିଶ୍ଚେ ଥରେ ।

 

 

 

 

 

ମେଘ

ଏକାଧାରେ ଧରୁ ଘନ,            ଜଳ ବଜ୍ରାନଳ,

ଭୀଷଣତା ଲାଳିତ୍ୟର            ଅଟୁ ସାମ୍ୟ ସ୍ଥଳ ।

ବିଧାତା ଅନନ୍ତ ଭୂମା            କେଜାଣି କିପାଇଁ,

ରଖନ୍ତି ଦୁର୍ଲଭ ଦ୍ରବ୍ୟେ            ଭୀତି ବିଜଡ଼ାଇ ।

 

ସର୍ପ ଶିରେ ବିଷ ମଧ୍ୟ୍ୟେ            ଅବସ୍ଥିତ ମଣି,

ଚନ୍ଦନରେ ଜଡ଼ିଥାନ୍ତି            ସଦା କାଳଫଣୀ ।

ପାଳୁ ତୁହି ସୃଷ୍ଟି ଦେଇ            ଯଥାକାଳେ ନୀର,

ସାର୍ଥ କରୁ ଶସ୍ୟଶ୍ୟାମା            ନାମ ଧରଣୀର ।

 

ହେଉନ୍ତୁ ପଛକେ ରାଜା            ନାମେ ନରପାଳ,

ମାତ୍ର ତୁହି ସର୍ବପାଳ            ନିଶ୍ଚେ ଖତମାଳ ।

କାମରୂପୀ ତୁହି ଉଠି            କରଭ ପ୍ରମାଣ

ମୁହୂର୍ତ୍ତକେ ଘୋଟିଯାଉ            ସମଗ୍ର ବିମାନେ ।

 

ଗିରିବନେ ଥାଇ ତୋତେ            ଅନମ୍ବରେ ଦେଖି,

ପ୍ରେମେ ନାଚେ କେକୀ            କ୍ଷୁଧା ପିପାସା ଉପେକ୍ଷି ।

ପ୍ରାଣେ ସେ ଯେପରି             ତୋତେ ଭଲପାଏ ଘନ,

ତୁ ତାହାକୁ ସ୍ନେହ ନେତ୍ରେ            ଦେଖୁ କି ତେସନ ?

ନୋହୁ ତୁ ଅଭ୍ୟସ୍ତ ଯେବେ      ପ୍ରତିଦାନ ପାଇଁ,

ବିଶୁଦ୍ଧ ବନ୍ଧୁତା ତୋତେ            କିଛି ଜଣା ନାହିଁ ।

 

ରତ୍ନ

ରତ୍ନ ନାମ କିପାଁ ଏଡ଼େ            ପ୍ରଗୌରବାନ୍ୱିତ,

ଅଛି କେଉଁ ଗୁଣ ତାର            ଔଜଲ୍ୟ ବ୍ୟତୀତ ।

ମଣନ୍ତୁ ଧନିକେ ପଛେ            ଜୀବନ-ସମ୍ବଳ,

ମାତ୍ର ସେ ପ୍ରସ୍ତର ଧାତୁ-            ବିକାର କେବଳ ।

 

ରତନ ଧାରଣେ ମୂର୍ଖ            ନ ହୁଏ ପଣ୍ଡିତ,

କ୍ଷୁଧାର୍ତ୍ତର କ୍ଷୁଧା ତହିଁ            ନୁହେଁ ପ୍ରଶମିତ ।

କରିପାରେ ନାହିଁ ରତ୍ନ            ପାପୀକୁ ଧାର୍ମିକ,

ଭ୍ରାନ୍ତ ଧାରଣାର ତାହା            ଚିତ୍ର କାଳ୍ପନିକ ।

 

ସତ୍ୟ, ଜ୍ଞାନ, ଦୟା, କ୍ଷମା,      ପାଣ୍ଡିତ୍ୟ, ଭକତି,

ପବିତ୍ରତା, ଶାନ୍ତି, ପ୍ରୀତି,            ସ୍ୱଧର୍ମ, ବିନତି,

ଏ ସକଳ ଅପାର୍ଥିବ            ପରଶ-ରତନ,

ମାନବ-ଲୌହକୁ କରି            ପାରନ୍ତି କାଞ୍ଚନ ।

 

ଏ ଦୁର୍ଲଭ ମହାରତ୍ନ            ଯାଏ ନାହିଁ ଚୋରି,

କିମ୍ବା ନିତ୍ୟ ବ୍ୟବହାରେ            ଯାଏ ନାହିଁ ଘୋରି ।

ଏଥିରେ ଯାହାର ଅଙ୍ଗ            ଚିର ଅଳଙ୍କୃତ,

ସେ କିଁପା ଲୋଡ଼ିବ ଧାତୁ            ପ୍ରସ୍ତର ପ୍ରାକୃତ ।

 

ଫୁଲଚୁଇଁ ପକ୍ଷୀ

ଟଙ୍କାର ବସନ୍ତ-ସଖି,            କଣ୍ଠ-ବୀଣାତାର,

ଶୁଣିବାକୁ ଇଚ୍ଛା ମୋର            ତାହା ବାରମ୍ବାର ।

ସୁଲଳିତସ୍ୱର ତୋର            ଅମୃତେ ସିକତି,

ଦେଇଛନ୍ତି କିବା ବିଶ୍ୱ-            ଭୂମା ବିଶ୍ୱପତି ।

 

ମାତ୍ର କେଉଁ ପାପେ କହ            ତୋର ହୀନଦଶା,

ତୁ ଥାଉଁ କୋକିଳ କିପାଁ            ଲଭେ ସୁପ୍ରଶଂସା ।

ସ୍ୱର ତା ମଧୁର ମାତ୍ର            କାର୍କଶ୍ୟ ମିଶ୍ରିତ,

ଶୁଦ୍ଧ ସୌକୁମାର୍ଯ୍ୟେ ହେବ      ତୋ ପାଶେ ଲଜ୍ଜିତ ।

 

ଅର୍ପିଲେ କୋବିଦେ ଯେବେ      ପିକେ ଉଚ୍ଚାସନ,

କରିଥିଲୁ କେଣେ ତୁହି            ସେ କାଳେ ଗମନ ।

ଶୁଣିଥିଲେ ତୋ ମଧୁର            ଝଙ୍କାର ଲହରୀ,

ଏଡ଼େ ପକ୍ଷପାତ କେବେ            ନ ଥାନ୍ତେ ସେକରି ।

 

କାହିଁ ଥାଉ ଫୁଲଚୁଇଁ            ସଙ୍ଗୀତ-ପ୍ରବୀଣା,

ବଜାଉ ଶୀତାନ୍ତେ ମଧୁ            ଆଗମନୀ ବୀଣା ।

ବସନ୍ତ ଗହଣେ ଆସି            ପୁଣି ତା ସହିତ,

ହୋଇଯାଉ ପ୍ରତିବର୍ଷ            କହିଁ ଅନ୍ତର୍ହିତ ।

କେବଣ ପ୍ରଦେଶେ କେଉ            କଠୋର ସାଧନା,

ଆଚରୁ ତାହା ସିନା            ତୋତେ ଏକା ଜଣା ।

 

ପରିଶ୍ରମ

ପରିଶ୍ରମ ମାନବର            ଅଭୀପ୍‌ସିତ ଖଣି,

ସୁଲଭ ତହିଁରେ ସଦା            ସୁଖ-ମହାମଣି,

ମନ-ମତ୍ତ-ମତଙ୍ଗଜ            ପାଦରେ କେବଳ,

ପରିଶ୍ରମ ବିଧିଦତ୍ତ            ସୁଦୃଢ଼ ଶୃଙ୍ଖଳ ।

 

ରକ୍ଷାକରେ ନରେ ସେହୁ            ପାପ ପ୍ରଲୋଭନୁ,

କୁଚିନ୍ତା-ପିଶାଚୀ ବଳେ            ତଡ଼ିଦେଇ ମନୁ ।

ଗଢ଼ିଦିଏ ପରିଶ୍ରମ            ନୈତିକ ଜୀବନ,

କଳଙ୍କିତ ଲୌହେ କରେ            ବିଶୁଦ୍ଧ କାଞ୍ଚନ ।

 

ପରିଶ୍ରମେ ଅଛି ବୋଲି            ସୁଖ-ଅନାବିଳ

ଦିବା ନିଶି ଅବିଶ୍ରାନ୍ତ            ବହୁଛି ଅନିଳ ।

ବିଶ୍ୱଦୀପ ଦିବାକାର            ଚନ୍ଦ୍ର ତାରାଗଣ,

କରୁଛନ୍ତି ମହାଶୂନ୍ୟେ            ନିୟତ ଭ୍ରମଣ ।

 

ସାରଥି ରୂପରେ ଶ୍ରମ            ଶାନ୍ତି-ରହୁବରେ,

ସାଫଲ୍ୟେ ଭେଟାଏ ଆଣି      ସାଧକ ପାଶରେ ।

ଯାହାଠାରେ ହୁଏ ଶ୍ରମ            ଚିହ୍ନତ ଆବୃତ,

କରେ ସ୍ୱତଃ ତାହାକୁ ସେ            ଯଥା ପୁରସ୍କୃତ ।

 

ଲେଖନୀ

ନମସ୍କାର ବର୍ଣ୍ଣମାତା            ହଜାରେ ହଜାରେ,

ଆଜୀବନ ମୁହିଁ ଦେବି            ଋଣୀ ତୁମ୍ଭଠାରେ ।

କେତେ ରୂପ ଧରି ତୁମ୍ଭେ            ହୁଅ ପ୍ରକାଶିତ,

କାହିଁ ସ୍ୱର୍ଣ୍ଣଦଣ୍ଡେ କାହିଁ            କାଷ୍ଠଦଣ୍ଡେ ସ୍ଥିତ ।

 

କାହିଁ ଲୌହେ କାହିଁ ଅବା            ପକ୍ଷେ ଅବସ୍ଥାନ

ଗତିକାଳେ ବାରମ୍ବାର            କର ମସୀପାନ ।

ଆକାର ହେଲେହେଁ ସାନ            କରଣୀ ମହାନ,

କରିପାର ଗୁରୁତର-            କାର୍ଯ୍ୟ ସମାଧାନ ।

 

କାହାକୁ ଆନନ୍ଦ ଅର୍ପ            କାହାକୁ ବା ତ୍ରାସ,

ସାଧ କାର ପୌଷମାସ            କାର ସର୍ବନାଶ ।

ଅରୂପ କଳ୍ପନା-ଫୁଲ            ତୋଳି ନିତି ନିତି,

ରଖୁଅଛ ପର୍ଯ୍ୟାୟରେ            ସୂପାତ୍ରେ ସାଇତି ।

 

ବିହ୍ୱାନ-ମନ-ଗୁରୁର            ତୁମ୍ଭେ ଶ୍ରେଷ୍ଠ ଚାଟ,

ପଢ଼ ତାହା ପଢ଼ାଏ ସେ            ଯେବେ ଯେଉଁ ପାଠ ।

ତବ ଶୁଭ ସହାୟତା            ଲଭି ଜ୍ଞାନିଚୟ,

ସ୍ଥାପନ୍ତି ଅକ୍ଷରମୟୀ            ସୁକୀର୍ତ୍ତି ଅକ୍ଷୟ ।

 

 

 

 

 

 

ଚାତକ

ପ୍ରାଣ ଭରି ଡାକ ପକ୍ଷି            ନ ହୁଅ ମଉନ,

ନେତ୍ର ଫେଡ଼ି ଚାହିଁ ନଭେ            ମେଘର ଶକୁନ ।

ବୁଝୁ ତୁହି ହେଉ ପଛେ            ଯେ ଯେଡ଼େ ପବିତ୍ର,

ପୃଥିବୀ ପରଶମାତ୍ରେ            ହୁଏ କଳୁଷିତ ।

 

ହେଲେ ସୁଦ୍ଧା ପିପାସାରେ      କଣ୍ଠଗତ-ପ୍ରାଣ,

ନ କରୁ ଘୃଣାରେ ତେଣୁ            ଧରାଜଳ ପାନ ।

ଧନ୍ୟ ତୋର ସତ୍ୟବ୍ରତ            ଦୃଢ଼ ଏକାଗ୍ରତା,

ସଦାଶୁନି ନିଷ୍ଠାପର            ଯଥା ତୁ ଦେବତା ।

 

ମିତ ମିତ ବୋଲି ସଦା            ଆହ୍ୱାନ ତୁ ଘନେ,

ଦିଏ କି ଉତ୍ତର ସେହୁ            ତୋ ଡାକ ଶ୍ରବଣେ ।

ମେଘପାଶେ ଉପକୃତ            ସକଳେ ସର୍ବଥା,

ମାତ୍ର କେ ପ୍ରକାଶେ କାହିଁ            ଏତେ କୃତଜ୍ଞତା ।

 

ବୁଝିଲି ଏବେ ରେ ପକ୍ଷୀ,            ଭାଙ୍ଗିଲା ସନ୍ଦେହ,

କୃତଜ୍ଞତା ଉପଦାନେ            ନିର୍ମିତ ତୋ ଦେହ ।

ପକ୍ଷୀ ତୁହି, ମାତ୍ର ଜାଣୁ            କୃତଜ୍ଞତା ମୂଲ,

ଶିଖିବେ କିଏ ସଦ୍ଗୁଣ            ତୋର ନରକୁଳ ।

 

କୃତଜ୍ଞତା

ମହାମୂଲ୍ୟବାନ ରତ୍ନ            ଭବେ କୃତଜ୍ଞତା,

କରିଦେଇ ପାରେ ସେହୁ            ମାନବେ ଦେବତା ।

ଉପକାରୀ ଉପକାର            ନ ମାନେ ଯେ ଠୁଳେ,

ଦୂରନ୍ତ ପିଶାଚ ସେହି            ପୂତ ନରକୁଳେ ।

 

କୃତଜ୍ଞତା ଜ୍ୟୋତିର୍ମୟ            ସ୍ୱର୍ଗର ସୋପାନ,

ମହାପାପ କୃତଘ୍ନତା            ନରକର ଯାନ ।

କୃତଜ୍ଞତା ସଦୃଷ୍ଟାନ୍ତ            ନୁହଇ ବିରଳ,

ପୂର୍ଣ୍ଣ ତହିଁ ଏ ଅଖିଳ            ଅବନୀ ମଣ୍ଡଳ ।

 

ସାଧିବାରୁ ମଧୁଋତୁ            କଳକଣ୍ଠ ହିତ,

ପ୍ରାଣ ଫେଡ଼ି ଗାଏ ସେ            ତା’ କୃତଜ୍ଞତା-ଗୀତ ।

ପବମାନଠାରୁ ପାଇ            ସହାୟତା ଘନ,

ନାଦଛଳେ କୃତଜ୍ଞତା            କରଇ ଜ୍ଞାପନ ।

ବୁଝେ ଯେହୁ କୃତଜ୍ଞତା            ଅତୁଳ ଗୌରବ,

ମାନବ ସୃଷ୍ଟିରେ ସେହୁ            ଆଦର୍ଶ-ମାନବ ।

ମଧୁମକ୍ଷିକା

ଧରୁ ମଧୁମକ୍ଷି କେଡ଼େ            ପବିତ୍ର ଜୀବନ,

ଦେବେ ସୁଦ୍ଧା କରନ୍ତି ତୋ            ଉଚ୍ଛିଷ୍ଟ ଗ୍ରହଣ ।

ସଞ୍ଚୟ ଉଦ୍ୟମ ତୋର            ଅନୁକରଣୀୟ,

ଚିହ୍ନରା ଶିଳ୍ପୀ ତୁ, ଗଢ଼ୁ            ଚକ୍ର ରମଣୀୟ ।

 

ସାରଗ୍ରାହୀ ପ୍ରାଜ୍ଞ ପ୍ରାୟ            ଉପେକ୍ଷି ଅସାରେ,

ସାରାଂଶ ସଂଗ୍ରହ ରଖୁ            ସଞ୍ଚି ତୋ ଭଣ୍ଡାରେ ।

ଅଳି ପ୍ରାୟ ନୋହୁ ତୁହି            ଉଦରସର୍ବସ୍ୱ,

ମିତବ୍ୟୟୀପଣେ ଅଟୁ            ସର୍ବଥା ଆଦର୍ଶ ।

 

ଏକାଗ୍ରତା ଏକତାର            ତୁ ପ୍ରିୟ-ସେବକ,

ପରିଶ୍ରମେ ମଣୁ ସୁଖ-            କୌସ୍ତୁଭ-ପଦକ ।

କୃପଣ ସହିତେ ତୋର            ହୁଏ ଯା ତୁଳନା,

ମାତ୍ର ମୋ ବିଚାରେ ତାହା      ଅତୀବ ଅଲଣା ।

 

ନ ଥାନ୍ତା ଯଦ୍ୟପି ତୋର            ସଞ୍ଚୟ ପାଟବ,

ହୋଇଥାନ୍ତା ମଞ୍ଚେ ମଧୁ            ସୁଦୁର୍ଲଭ-ଦ୍ରବ୍ୟ ।

ଯାହା ସଞ୍ଚୟରେ ହୁଏ            ଦେଶ ଉପକୃତ,

ତାହାରି ସଞ୍ଚୟ ଏକା            ସଞ୍ଚୟ ପ୍ରକୃତ ।

 

ଗୁଣ୍ଡୁଚି ମୂଷା

ଆକାରରେ କ୍ଷୁଦ୍ର ଜୀବ            ଅଟୁ ତୁ ରେ ସତ,

ମାତ୍ର ତୋର ମନବଳ            ଅତୀବ ମହତ ।

ଜିଣେ ମନବଳ ଦେହ-            ବଳୀକୁ ସହଜେ,

ନଗଣ୍ୟ ବଳିଆ କରେ            ପରାଜୟ ଗଳେ ।

 

ଜଗତ-ସହାୟ ଯେହୁ,            ଅଖିଳ ଦେବତା,

ସେତୁବନ୍ଧେ କଲୁ ତୁହି            ତାଙ୍କୁ ସହାୟତା ।

ଏହା ପଛେ ଦୁରାକାଙ୍‌କ୍ଷା            ଅବିହିତ ହେଉ,

ନ କରିବ ପ୍ରଶଂସା ତୋ            ସତ୍ସାହସେ କେହୁ ।

 

ଦେଖି ତୋର କ୍ଷୁଦ୍ର ପ୍ରାଣେ      ମହାଭାବୋଦୟ,

ଲଭିଲେ ବିସ୍ମୟ ଅତି            ଅଯୋଧ୍ୟ୍ୟା-ଆଶ୍ରୟ ।

ଉଦ୍ୟମ ଅଧ୍ୟ୍ୟବସାୟେ            ପ୍ରଶଂସି ବିସ୍ତର,

ଆଉଁଷିଲେ ଦେହ ତୋର            କୌଶଲ୍ୟାକୁମର ।

 

ତାହାଙ୍କ ବିଶୁଦ୍ଧ କୃପା-            ସ୍ମୃତି ଚିହ୍ନ ପରି,

ସେ ଦିନୁ ଅଙ୍ଗୁଳି ରେଖା            ଅଛୁ ପୃଷ୍ଠେ ଧରି ।

କ୍ଷୁଦ୍ର ତୁହି ମାତ୍ର ନୁହେଁ            ହୃଦ ସଙ୍କୁଚିତ,

ସ୍ୱଗୁଣେ ହୋଇଛୁ ଭବେ            ପୁରାଣ-ପ୍ରଥିତ ।

 

ନୁଳିଆ ଜାତି

ଅସାଧ୍ୟ୍ୟ ସାଧନା ତୋର            ସାଗର-ସଞ୍ଚାରି,

ଭାବିଲେ ବିସ୍ମୟ-ରସେ            ହୁଏ ହୃଦ ଘାରି ।

ରତ୍ନାକର ଗର୍ଭେ ବୁଡ଼ୁ            ପ୍ରକାଶି କୌଶଳ,

କରିଛୁ ସାଧନା ପଥ            ଅଭ୍ୟାସେ ସରଳ ।

 

କାର୍ଯ୍ୟରେ ଅଭ୍ୟାସ ହେଲେ      ଘନୀଭୂତ କ୍ରମେ,

ହୁଏ ତା ପ୍ରକୃତି ସମ            ପ୍ରକୃତି ନିୟମେ ।

କେଉଁ ରତ୍ନଲୋଭେ ଲଭି            ଦୁଃସହ କଷଣ,

ଉପଜଳଚର ପ୍ରାୟ            କରୁ ତୁ ଭ୍ରମଣ ।

 

ଆହରଣ କରୁ ଯେଉଁ            ମୁକୁତା ପ୍ରବାଳ,

ନୁହଇ ରତନ ତାହା            ଜୀବ-ଅସ୍ଥିକାଳ ।

ଉଦର-ପୋଷଣେ ପଛେ            ଆଚର ସେ ବୃତ୍ତି,

ମାତ୍ର ତହିଁ ହେବ ନାହିଁ            ଅରଜି ସୁକୃତି ।

 

ଭକ୍ତି-ପାରାବାରେ ଯଦି            ବୁଡ଼ି ଏହିପରି,

ନିର୍ବାଣ ମୁକତି-ରତ୍ନେ            ପାରିବୁ ଆହରି,

ନିଭିଯିବ ତେବେ ଚିର-            ଦରିଦ୍ରତା-ଚିତା,

ହୋଇଯିବ ଅନ୍ତର୍ହିତ            ପେଟପୋଷା-ଚିନ୍ତା ।

 

ବାୟା ପକ୍ଷୀ

କାହିଁକି ରେ କ୍ଷୁଦ୍ର ପକ୍ଷୀ            ମହାବୁଦ୍ଧିମାନ,

ହୋଇ ଧରିଅଛୁ କହ            ବାୟା ଅଭିଧାନ ।

କଥିତ ହୁଅନ୍ତି ବାୟା            ନାମେ ଜ୍ଞାନିକୁଳ,

ଯେଣୁ ସେହୁ ବିଭୁପ୍ରେମେ            ସତତ ବାତୁଳ ।

 

ସେ ଭାବେ କି କରୁ ପକ୍ଷୀ      ଅଭିଖ୍ୟା ଏସନ,

ସତେ କି ରେ ତୁହି ବ୍ରହ୍ମ-            ଭକ୍ତି ପରାୟଣ ।

ଗୁରୁବାରେ ଗୋମୟେ ତୁ            ଲେପୁ ତୋ ଆଗାର,

କିଏ ଦୀକ୍ଷା ଦେଲା କହ            ଏ ଆର୍ଯ୍ୟ ଆଚାର ।

 

ଶିଖିଲୁ ରେ ଶିଳ୍ପକଳା            ଭଲା କାହାଠାରୁ,

ନୀଡ଼-ନିର୍ମାଣ-କୌଶଳ            ଆହା କେଡ଼େ ଚାରୁ ।

ବିହଙ୍ଗ-କୁଳରେ ତୁହି            ବିଜ୍ଞଜ୍ୟୋତିଷ୍କାର,

ବୃଷ୍ଟି-ବିପରୀତ-ଦିଗେ            ରଚୁ ବସାଦ୍ୱାର ।

 

ଦୋବୁଲ୍ୟ କୁଲାୟେ             ବସି ଅନମ୍ବର-କୋଳେ,

ଖେଳୁଥାଉ ଦୋଳି ଯେବେ      ସମୀର ହିଲ୍ଲୋଳେ,

ତୋହର ସେ ଶାନ୍ତିସୁଖ            ଦେଖି ମୁହିଁ ଭାଳେ,

ଘଟିବ ବା ତାହା କାହିଁ            ସଂସାରୀ କପାଳେ ।

ସଂସାରୀ ସଂସାରୀ ହେଲେ      ନିମେଷେ ଅନ୍ତର,

ଆହ୍ୱାନେ ସଂସାର ପଛୁ            କରି ଉଚ୍ଚସ୍ୱର ।

 

ଯୋଗୀ

ଧନ୍ୟ ଏକା ଯୋଗିବର !            ତୁମ୍ଭେ ଏ ସଂସାରେ,

ସ୍ଥିତ ତବ ମନ, ମାୟା-            ପ୍ରପଞ୍ଚର ପାରେ ।

ମୃତ୍ତିକାରେ ଲାଗି ସୁଦ୍ଧା            ଥାଅ ଅଲଗନ,

ପାତ୍ର ମଧ୍ୟ୍ୟେ ଦ୍ରବମୟ-            ପାରଦ ଯେସନ ।

 

ପଶେ ନାହିଁ ତବ କର୍ଣ୍ଣେ            ଭବ କୋଳାହଳ,

ପାରେ ନାହିଁ ହୃଦେ ଦହି            ବାସନା-ଅନଳ ।

ରିପୁ ହଳାହଳମୟ            ତପ୍ତ-ପ୍ରଭଞ୍ଜନ,

ଛୁଏ ନାହିଁ ତବ ପୁଣ୍ୟ-            ତନୁ କଦାଚନ ।

 

ଚିର ସୁଶୀତଳ ଦିବ୍ୟ            ଶାନ୍ତି-ସ୍ୱର୍ଣ୍ଣଜଳେ,

ନିମଜ୍ଜି ଶରୀର ଧ୍ୟାନେ            ବସିଛ ନିଶ୍ଚଳେ ।

ସଂସାର ସମ୍ବଳ ତହିଁ            ନାହିଁ କିଛିପାତ୍ର,

ସୁପବିତ୍ର ମନ ତବ            ସୁପବିତ୍ର ପାତ୍ର ।

 

ଜୀବନସର୍ବସ୍ୱ ଯାର            ଧର୍ମ ମହାଧନ,

ଅପର ସମ୍ବଳେ ତାର            କିବା ପ୍ରୟୋଜନ ।

ସମ୍ଭୋଗେ ଯେ ପାରିଜାତ-      ସୁବାସ ଆନନ୍ଦେ,

କରିବ କି ଆଗ୍ରହ ସେ            ପସାରୁଣୀ-ଗନ୍ଧେ ।

ମୋ ଲାଗି ଜଣାଅ ଯୋଗି !      ହରି ସନ୍ନିଧାନେ,

ତୁମ୍ଭରି ସଂଯମ ନିଷ୍ଠା            ଜାଗୁ ମୋର ପ୍ରାଣେ ।

 

 

 

 

 

 

ଜୀର୍ଣ୍ଣ ମନ୍ଦିର

ଗାଉଛୁ ଜୀର୍ଣ୍ଣ ମନ୍ଦିର            ନୀରବେ କି ଗୀତ,

ପ୍ରତିକ୍ଷଣ ଉପୁଜାଇ            ପତନର ଭୀତି ।

ନୂଆ ନୂଆ ଦିନ କେତେ            ସୁଧା-ଶୁକ୍ଳ-ବାସ-

ପିନ୍ଧି କରୁଥିଲୁ ବିଧୁ-            କରେ ଉପବାସ ।

ଏବେ ସେ ସମ୍ପଦକାଳ            ସରିଗଲା ଢାଳେ,

ଆବରିଲେ ଅଙ୍ଗ ତୋର            ଚାଳ ଶଇବାଳେ ।

 

ଏ ଅବସ୍ଥା ଅବଲୋକି            ଗର୍ଭସ୍ଥ ଦେବତା,

ଇଚ୍ଛିଲେଣି ତେଜିବାକୁ            ତୋହର ମମତା ।

ସମୟ-ସଂଗ୍ରାମେ ଲଭି            ଘୋର ପରାଜୟ,

କ୍ରମେ କ୍ରମେ ବିକଳାଙ୍ଗ            ହେଲୁ ଦେବାଳୟ ।

 

ସରିଯିବ ସତ୍ତା ଆଉ            ଦୁଇ ଦିନ ପରେ,

ଯିବୁ ନଶ୍ୱରତା-ଛବି            ଦେଖାଇ ଲୋକରେ ।

ତୋହ ପରି ସିନା ଜୀବ-            ଶରୀର-ମନ୍ଦିର,

ଅନିତ୍ୟ ଅସାର ପୁଣି            ଭଙ୍ଗୁର ଅସ୍ଥିର ।

 

 

ପୁସ୍ତକ

ସଭକ୍ତି ପ୍ରଣତି ମୋର            ଘେନ ହେ ପୁସ୍ତକ,

କୋବିଦ-କୁମାର ତୁମ୍ଭେ            ନୀରବ-ଶିକ୍ଷକ ।

ଶିକ୍ଷା-ବିପଣୀର ପୁଣି            ଚିହ୍ନରା ବେପାରୀ,

ମାନବ ହୃଦୟେ ଦିଅ            ସୁଜ୍ଞାନ ବିସ୍ତାରି ।

 

କିମ୍ବା ତୁମ୍ଭେ ଜ୍ଞାନ-କ୍ଷେତ୍ରେ      ପ୍ରଧାନ କୃଷକ,

ସମୁର୍ବର କରିଦିଅ            ମାନବ ମସ୍ତକ ।

ଜବ ଆଲୋଡ଼ନେ ଜ୍ଞାନ            ଲଭେ ବିବର୍ଦ୍ଧନ,

ଘର୍ଷଣେ ସୁଗନ୍ଧ ସିନା            ବିକରେ ଚନ୍ଦନ ।

 

ନିର୍ମଳ-ଆଦର୍ଶ ତୁମ୍ଭେ            ଆତ୍ମ ଉନ୍ନତିର,

ତବ ସନ୍ଥେ ଜ୍ଞାନହୀନ             ହୁଏ ଜ୍ଞାନବୀର ।

ତୁମ୍ଭ ସେବାଫଳେ ହୁଏ            ଯେ ଜ୍ଞାନ ଉଦ୍ଭବ,

ଅୟୁତ ଆଚାର୍ଯ୍ୟଠାରୁ            ତାହା ଅସୁଲଭ ।

 

ତୁମ୍ଭଙ୍କୁ ଯେ ଚିହ୍ନେ ଦେବ            ତୁମ୍ଭେ ତାକୁ ଚିହ୍ନ,

ଚିହ୍ନିତ କରାଅ ପୁଣି            ଲୋକେ ପ୍ରତିଦିନ ।

କେତେ ମହାପୁରୁଷଙ୍କ            କୀର୍ତ୍ତି-ହର୍ମ୍ୟରାଜି,

ଅଛି ତୁମ୍ଭ ମହାବକ୍ଷେ            ପ୍ରଚ୍ଛନ୍ନେ ବିରାଜି ।

 

ଅଦ୍ଭୁତ ବିନ୍ଧାଣି ତୁମ୍ଭେ            ଧନ୍ୟ କାର୍ଯ୍ୟ ତବ,

ଅମାନବେ ଗଢ଼ିଦିଅ            ପ୍ରକୃତ ମାନବ ।

ଯାବତ ଘଟଣା ରଖ            ହୃଦ-ଗୃହେ ସଞ୍ଚି,

ଦେଇ ତହିଁ ଅଭଙ୍ଗୁର-            ମାତୃଭାଷା କଞ୍ଚି ।

 

ସୂର୍ଯ୍ୟ

ନମୋନମଃ ବିଶ୍ୱଚକ୍ଷୁ            ଦେବ ଦିବାକର,

ରୋଗଶୈତ୍ୟତମୋନାଶୀ            ତବ ଦୀପ୍ତ କର ।

ପ୍ରକୃତି ପଟ୍ଟର ତୁମ୍ଭେ            ମହାଚିତ୍ରକର,

ମଣ୍ଡ ନିତ୍ୟ ନବଚିତ୍ରେ            ତାହା କଳେବର ।

 

ତୁମ୍ଭ ଯୋଗେ ଶସ୍ୟପ୍ରସୂ            ହୁଏ ବସୁମତୀ,

ମାନବର ମେଧା ଶକ୍ତି            ଲଭେ କ୍ରମୋନ୍ନତି ।

ମାସ ଋତୁ ଦିନ ବକ୍ଷ            ଯୁଗ ଅଧିରାଜ,

ତବ ହେତୁ ଜ୍ୟୋତିଷ୍ମାନ            ଜ୍ୟୋତିଷ୍କ ସମାଜ ।

 

ପାରାବାରୁ ବାରିରାଶି            କରିଣ ଶୋଷଣ,

କରୁଅଛ ଦେବ ତୁମ୍ଭେ            ଘନ ବିସଜନ ।

ସେହି ମେଘମାଳେ ଦେଇ      ଯଥାକାଳେ ଜଳ,

ଚରାଚର ପ୍ରାଣୀଙ୍କର            ସାଧନ୍ତି ମଙ୍ଗଳ ।

 

ପ୍ରଦାନ ପ୍ରପଞ୍ଚେ ତୁମ୍ଭେ            ନିତ୍ୟ ନବପ୍ରାଣ,

ଜଳେ ସ୍ଥଳେ ତବ ଶକ୍ତି            କରେ କ୍ରିୟାମାନ ।

ଧରିଛି ଧରଣୀ ତୁମ୍ଭେ            ଆକର୍ଷଣ ବଳେ,

ନତୁ ସେ ଭ୍ରମନ୍ତା କେଉଁ            ନିରୁଦ୍ଦେଶ୍ୟ ସ୍ଥଳେ ।

 

ସପ୍ତର୍ଷି

କି ଅଦ୍ଭୁତ ତପୋବଳ            ତୁମ୍ଭର ସପ୍ତର୍ଷି,

ଜ୍ୟୋତିଷ୍କ ସ୍ୱରୁପ ଧରି            ଅଛି ଶୂନ୍ୟେ ବସି ।

ଧ୍ରୁବ ପାଶେ ଘୁରୁଅଛ            ସର୍ବେ ରାତ୍ରିଦିନ,

କରନ୍ତି ଭାସ୍କର ଯଥା            ମେରୁ ପ୍ରଦକ୍ଷିଣ ।

 

ଉଗ୍ର-ତପ ସାଧି ଧ୍ରୁବ            ନିବସନ୍ତି ସ୍ୱର୍ଗେ,

ବୃଦ୍ଧି ଲଭେ ଧର୍ମଭାବ            ଧାର୍ମିକ-ସଂସର୍ଗେ ।

କରିଥିଲ ଏ ଭାରତେ            ଗୁଣେ ସମୁଜ୍ଜ୍ୱଳ,

କରୁଛ ପ୍ରଭାରେ ଦୀପ୍ତ            ଏବେ ଖ-ମଣ୍ଡଳ ।

 

ତୁମ୍ଭର ପବିତ୍ର ଜ୍ୟୋତି            ପୁଣ୍ୟର ନିଦାନ,

ସାଧୁଅଛି ଧରଣୀର            ଅସୀମ କଲ୍ୟାଣ ।

ତବ ମାତୃଭୂମି ଏବେ            ଘୃଣିତା ପତିତା,

କର ତୁମ୍ଭ ଭାବେ ତାକୁ            ସୁଅନୁପ୍ରାଣିତା ।

ହେଉ ଜ୍ୟୋତିର୍ମୟୀ ସେହୁ      ଲଭି ସମୁନ୍ନତି,

ଦିବ୍ୟ ପ୍ରଭାବତୀ ଯଥା            ସତୀ ଅରୁନ୍ଧତୀ ।

 

ଧାନ୍ୟ

ତୁଚ୍ଛ ତୃଣଗର୍ଭୁ ତୁହି            ସମ୍ଭୁତରେ ଧାନ୍ୟ,

ମାତ୍ର କିଏ ଜ୍ଞାତ ନୁହେଁ            ତୋ ମହାପ୍ରାଧାନ୍ୟ ।

ଦୁର୍ଗନ୍ଧ ପଙ୍କରୁ ଜାତ            ହେଲେହେଁ କମଳ,

ନ ଲଭେ କି ଦେବ କତି            ଆଦର ପ୍ରବଳ ।

 

ହୀନକୁଳେ ଜନ୍ମି କେହି            ହୀନ ହୁଏ ନାହିଁ,

କର୍ମ ସିନା ସାନ ବଡ଼            ଦିଅଇ ଚିହ୍ନାଇଁ ।

ବଳୁ ତୁହି ସର୍ବରତ୍ନ            ସକଳ ସମ୍ପଦେ,

ମାନବ ଜୀବନ ଅହୋ            ବନ୍ଧା ତୋହୋ ପଦେ ।

 

ଶରୀରର ବଳ ତୁହି            ମାନସର ଜ୍ଞାନ,

ବାସ୍ତବେ ତୁ ଜ୍ଞାନମଞ୍ଜି            ସକଳର ମାନ୍ୟ ।

ତୋତେ ତେଜି ସଂଗ୍ରହେ             ଯେ ଯତନେ ରତନ,

ନରକୁଳେ ଅରାଜନ            ସେହି ଅକିଞ୍ଚନ ।

 

ହିମାଁଦ୍ରି ପ୍ରମାଣେ ରତ୍ନ            କଲେ ଆଣି ଠୁଳ,

ଗୋଟିଏ ଧାନ୍ୟର ସହ            ନ ହେବ ସେ ତୁଳ ।

କରେ ଧାନ୍ୟ ଦେହବଳ            ମନ ସଂଗଠନ,

ଅଛି କି କ୍ଷମତା କେଉଁ            ରତ୍ନର ଏସନ ?

 

ନବବର୍ଷ

ସ୍ୱାଗତ ହେ ନବବର୍ଷ            ନବ-ଅଭ୍ୟାଗତ,

ନବୀନ ନୃପତି, ତୁମ୍ଭ            ପଦେ ଦଣ୍ଡବତ ।

ମାନବ ଅଦୃଷ୍ଟ-ରାଜ୍ୟେ            ତୁମ୍ଭେ ବାରମାସ,

ନିରଙ୍କୁଶ-ରାଜପଣ            କରିବ ପ୍ରକାଶ ।

 

ତୁମ୍ଭ ପରି କାଳ-ସିନ୍ଧୁ            ଭଙ୍ଗୁର ତରଙ୍ଗ,

କେତେ ପଡ଼ୁଛନ୍ତି ଭାଙ୍ଗି            ଦେଖାଇ ଭ୍ରୁଭଙ୍ଗ ।

ମାତ୍ର ଯାଉଛନ୍ତି ଅର୍ପି            ଫଳ ହିତାହିତ,

ଅଛି ଯାହା ନରଭାଗ୍ୟେ            ପୂର୍ବରୁ ସଞ୍ଚିତ ।

 

ତୁମ୍ଭେ ସୁଦ୍ଧା ସେହିପରି            ଚାଲିଯିବ କାହିଁ,

ଯେତେ ଡାକିଲେହେଁ            ଥରେ ପଛକୁ ନ ଚାହିଁ ।

ଉତ୍କୋଚେ ବା ସ୍ତବେ ତବ            ଅବ୍ୟାହତ-ଗତି,

ନ ପାରିବେ କେହି ତିଳେ      କରି ପଶ୍ଚାଦ୍‌ବର୍ତ୍ତୀ ।

 

ସୁଖ ଦୁଃଖ ଯା ଆଣିଛ            ପ୍ରଦାନ ନୀରବେ,

ନିଶ୍ଚେ ତାହା ଶିରୋଧାର୍ଯ୍ୟ      କରିବେ ମାନବେ ।

କିନ୍ତୁ ଦେବ ଏହି ଏକା            ଦୁର୍ନିବାର ବ୍ୟଥା,

ଚାଲିଯାଏ ଦିନ, ମାତ୍ର            ରହିଯାଏ କଥା ।

 

 

 

 

 

 

 

 

ରସାଳ

କେ ତୋତେ ଆଣିଲା ମଞ୍ଚେ      ରେ ରମ୍ୟ ରସାଳ,

ପଙ୍କିଳ-ପଲଳେ କେ ବା            ନିହିଲା ମୃଣାଳ ।

ସ୍ୱର୍ଗୀୟ ତୁ, ସ୍ଥାନ ତୋର            ନନ୍ଦନକାନନ,

କେମନ୍ତେ ଛାଡ଼ିଲେ କହ            ତୋତେ ଦେବଗଣ ।

 

ଦେବେ ସମଦର୍ଶୀ, କିନ୍ତୁ            କେତେ ବିଷୟରେ,

ରଖନ୍ତି ଏକାଧିପତ୍ୟ            ଜଣା ଚରାଚରେ ।

ଦେଲେ ନାହିଁ ମର୍ତ୍ତ୍ୟେ ସେହୁ      ସୁଧା ପାରିଜାତେ,

ସାମ୍ୟନୀତିରେ କି ଏହା            ନୁହେଁ ପକ୍ଷପାତ ।

 

ତୁହି ତ ଅମୃତଫଳ            ତୋତେ ବା କାହିଁକି,

ଅର୍ପନ୍ତେ ଲାଳସା ତେଜି            ଅମରେ ମହୀକି ।

ନିଶ୍ଚେ ତୁହି କେଉଁ ଦେବ            ଅଭିଶାପେ ଚୁତ,

ଆସିଛୁ ଅବନୀତଳେ            ହୋଇ ସ୍ୱର୍ଗଚ୍ୟୁତ ।

 

ହେଉ ପଛେ ଶାପଭୋଗ            ରସାଳ ତୋହର,

ମାତ୍ର ତାହା ମର୍ତ୍ତ୍ୟବାସୀ            ଭାଗ୍ୟେ ହେଲା ବର ।

ସକଳ ମଧୁର ତୋର            ରୂପ ରସ ଗନ୍ଧ,

ଦର୍ଶନେ ଭକ୍ଷଣେ ପ୍ରାଣେ            ପ୍ରଦାନୁ ଆନନ୍ଦ ।

ସୌଶୀଲ୍ୟ ସଦ୍‌ବିଦ୍ୟା ଆଉ      ସାଧୁ ବ୍ୟବହାରେ,

ଲଭନ୍ତି ଆଦର ସିନା            ନରେ ଏ ସଂସାରେ ।

 

ଗୋ-ଜାତି

କେଉଁ ଦେବ ଗୋରୁରୂପେ      ଜନମି ଧରାରେ,

ଅହରହ ରତ ଅଛି            ନର ଉପକାରେ ।

କୃଷୀବତ ବଣିକର            ସହାୟ ସମ୍ପଦ,

ଆଦର୍ଶ ସଂଯମୀ ପଶୁ-            ମହର୍ଷି ବଳଦ ।

 

ମାତା ସମ ଗାଭୀ, କରି            ଦୁଗ୍‌ଧ-ସୁଧା ଦାନ,

ବାଲ୍ୟକାଳେ ରକ୍ଷାକରେ            ମାନବର ପ୍ରାଣ ।

ପବିତ୍ର କାର୍ଯ୍ୟରେ ଲାଗେ            ଗୋମୁତ୍ର ଗୋମୟ,

ପୁଣି ତହିଁ ଧରାଦେହେ            ହୁଏ ବଳୋଦୟ ।

 

ଅସ୍ଥି ଚର୍ମ ଶୃଙ୍ଗ ଗୋରୁ            କରି ବିତରଣ,

ମରି ସୁଦ୍ଧା ଲୋକହିତ            କରେ ସଂସାଧନ ।

ଅନୁଭବି ଗୋଜାତିର            ଉପକାରମାନ,

ପୁଜୁଥିଲେ କୃଷ୍ଣ ତାଙ୍କୁ            ଦେବତା ସମାନ ।

ପରମ ଦେବତା ସେହୁ            କି ଅଛି ସଂଶୟ,

ଗବାଳୟ ଅଟେ ନିଶ୍ଚେ            ତୀର୍ଥ, ଦେବାଳୟ ।

 

ସାଳନ୍ଦୀ ପୁଳିନେ

ଗଭୀର ନିଶୀଥକାଳେ            ଏକୁଟିଆ ଦିନେ,

ବସିଲି ବାଲୁକାମୟ            ସାଳନ୍ଦୀ ପୁଳିନେ ।

ତଟିନୀର ଜ୍ୟୋତିର୍ମୟ            ନୟନ ପରାଏ,

ଚାରୁଚନ୍ଦ୍ରିକିତ ଶକ୍ତି            ଜ୍ୟୋତି ଚହଟାଏ ।

 

ଖେଳୁଅଛି କେତେ ଖେଳ            ଚନ୍ଦ୍ରିକା ରୂପସୀ,

ସ୍ୱଚ୍ଛ ନଦୀସ୍ରୋତ ସହ            ମୃଦୁ ମୃଦୁ ହସି ।

ଜଳବେଣୀ ସଙ୍ଗେ ଧନୀ            ମିଶାଇ ସ୍ୱବେଣୀ,

ଭାସିଯାଉଅଛି ନିମ୍ନେ            ହୋଇ ଶ୍ରେଣୀ ଶ୍ରେଣୀ ।

 

ବର୍ଷୁଛନ୍ତି କର ନଭେ            ଥାଇ ସୁଧାଧାର,

ସୁରଭୀ ପହ୍ଲାରୁ କିବା            ବହେ କ୍ଷୀରଧାର ।

ସଂସାରର ଜ୍ୱାଳାମୟ            କଟୁ କୋଳାହଳ,

ଗତ ଏବେ, ପରିଣତ            ସ୍ୱର୍ଗେ ଧରାତଳ ।

 

ସାଧକ-ବାଞ୍ଛିତ ଏହି            କାଳ ସୁମଧୁର,

ପାର୍ଥିବ ବିକାର ମନୁ            କରିଦେଲା ଦୂର ।

କାଳସ୍ରୋତ ପ୍ରତିଲୋମେ            ସନ୍ତରିଲା ମନ,

ସାଳନ୍ଦୀ ଉଠାଣି ସ୍ରୋତେ            ମୀନାଳି ଯେସନ ।

 

ବାଲ୍ୟଜୀବନର କେତେ            ଲୁପ୍ତ ପୂର୍ବସୁଖ,

ଗୋଟି ଗୋଟି ହୋଇ ଆସି      ଦେଖାଇଲେ ମୁଖ ।

ଆଣିଲା ସେ ଗତସ୍ମୃତି            ହୃଦେ ଅନୁତାପ,

ଅନୁତାପୁଁ ଉପୁଜିଲା            ଅସାର ପ୍ରଳାପ ।

 

ଏ କାଳରେ ବିଷମୟ            ବିଷୟ ଆହ୍ୱାନ,

ଆନ ତୀରୁ ଆସି ମୋର            ଭାଙ୍ଗିଦେଲା ଧ୍ୟାନ ।

ଛାଡ଼ି ସେ ସଙ୍କଳ୍ପ ଖେଳ            ବହି ଦୁଃଖଭାରେ,

ବାହୁଡ଼ି ଆସିଲି ଅହୋ            ଦାରୁଣ ସଂସାରେ ।

 

 

 

 

 

ଧୂମକେତୁ

ଦିବ୍ୟ ଜ୍ୟୋତିଧାମେ              ରହି କିପାଁ ଧୂମକେତୁ

ହେଉ ଏଡ଼େ ବିଷଦିଗ୍‌ଧ            ଅମଙ୍ଗଳ ହେତୁ ।

ଭୀଷଣ କରଣୀ ତୋର            ଭୀଷଣ ଆକାର,

ପ୍ରତେ ହୁଏ ତୁହି ଭୀମ-            ବିପଦ ବିକାର ।

 

ତୋ ଦର୍ଶନେ ହୁଏ ମନେ            ଏ ଭାବ ଉଦୟ,

ଯୋଗୀ ନଭ-ଭାଲେ କି            ତୁ ଶିଖା ଜ୍ୟୋତିର୍ମୟ ।

ଅବା ଆକାଶ-ପ୍ରାଙ୍ଗଣ            ମାର୍ଜନା କାରଣ,

ସୁବର୍ଣ୍ଣ ମାର୍ଜନୀ ଛନ୍ତି            ଥୋଇ ତାରାଗଣ ।

 

ଅଥବା ନିକଷେ କଷା            ବିଶୁଦ୍ଧ କାଞ୍ଚନ,

କିମ୍ବା ସିନ୍ଧୁଗର୍ଭେ ଜ୍ୱଳେ            ବାଡ଼ବ-ଦହନ ।

କିଅବା ତ୍ରିନେତ୍ର ନେତ୍ରୁ            କ୍ରୋଧାନଳ ରେଖା,

ବହିର୍ଗତ ହେଲା ପ୍ରାଏ            ଯାଉ ତୁହି ଦେଖା ।

 

ଦୁର୍ଭିକ୍ଷ ମଡ଼କ ତୋର            ଅନୁଚରଦ୍ୱୟ,

ପ୍ରଦର୍ଶନ୍ତି ତୋ ଆଦେଶ            କ୍ରୁର ଅଭିନୟ ।

ଶାନ୍ତିମୟ ସ୍ୱର୍ଗେ ପରା            ନାହିଁ ହିଂସାଦ୍ୱେଷ,

ତୁ ତ ସ୍ୱାର୍ଗବାସୀ, କିପାଁ            ଅର୍ପୁ ନରେ କ୍ଳେଶ ।

ବୁଝିଲି ବୁଝିଲି ତୁହି            ନିୟତିର ଗଦା,

ପାପେ ଭରା ଦେଖି ଧରା            କରିଦେଉ ପଦା ।

 

ଖଣ୍ଡପ୍ରଳୟ

ଆଣିଲା ଖଣ୍ଡପ୍ରଳୟ            ନବତ୍ରିଂଶ ଅଙ୍କ,

ସ୍ମରଣେ ସେ ରୁଦ୍ର ଦୃଶ୍ୟ            ଉପୁଜେ ଆତଙ୍କ ।

ବିଦାରି ବ୍ରହ୍ମାଣ୍ଡ-ଭାଣ୍ଡ-            କଠୋର ଗର୍ଜନେ,

ଗରଜି ମୂଷଳଧାରେ            ବର୍ଷିଲେ ପର୍ଜ୍ଜନ୍ୟେ ।

 

ଅବିରତ ବାରିପାତେ            ଧରଣୀମଣ୍ଡଳ,

ଗଭୀର ହୁତ୍କମ୍ପି ଧୁ ଧୁ            ନାଦେ ଟଳମଳ ।

ଖେଳିଲା ଚୌଦିଗେ          ବେଗେ ସ୍ରୋତ କରି ଗତି,-

ଦୁର୍ବାର, ଦୁର୍ବାର ଯଥା            ଉଚ୍ଛୃଙ୍ଖଳ ମତି ।

 

କ୍ଷଣେ ପରିଣତ ହେଲା            ଧରା ନବାର୍ଣ୍ଣବେ,

ଭାସିଲେ ମାନବ ପଶୁ            ପକ୍ଷୀ ଆଦି ସର୍ବେ ।

ନକୁଳ ମାର୍ଜାର ମୂଷା            ଭେକ ବିଜେଶୟ,

ଗ୍ରହିଛନ୍ତି ଏକ ବୃକ୍ଷେ            ସକଳେ ଆଶ୍ରୟ ।

ସହସା ହେଲା କି ଧରା            ମହା ତପୋବନ,

କରିଛନ୍ତି ଯେଣୁ ସର୍ବେ            ହିଂସାବିବର୍ଜନ ।

ଦେଇଅଛି ମୃତ୍ୟୁଞ୍ଜୟ            ଏ ନିର୍ବେଦ ଦକ୍ଷା,

ଜୀବନର ଏହା ସିନା            ଭୀଷଣ ପରୀକ୍ଷା ।

ସୃଷ୍ଟି ସତୀ ଏହିପରି            ଧରି ଭୀମବେଶ,

ନରପ୍ରାଣେ ବିଭୁସତ୍ତା            କରାଏ ଉନ୍ମେଷ ।