( ଗନ୍ଧର୍ବର ନିର୍ଦ୍ଦେଶରେ ଅପ୍ସରା ଗାନବତୀ ନୃତ୍ୟ କରୁଥିଲେ; ନୃତ୍ୟ ମଧ୍ୟରେ ପହୁଞ୍ଚିଲା ଆସି ଦେବଦୂତୀ ତରଙ୍ଗିଣୀ )
ତରଙ୍ଗିଣୀ- ଗାନବତୀ !
ଗଡ଼ିଯାଏ ଶିବପୂଜାବେଳ,
ମନେନାହିଁ ଦେବୀଙ୍କ ଆଦେଶ ?
ଗନ୍ଧର୍ବ- ତରଙ୍ଗିଣୀ !
ଦଣ୍ଡେ ମାତ୍ର ଆଉ !
ଲୟ ସନ୍ନିକଟ-
ବିରତିରେ ଘଟିବ ଗୋ-
ତାଳଭଙ୍ଗ ଅପରାଧ ନିଶ୍ଚେଁ ।
( ନୃତ୍ୟ ଚାଲିଥାଏ )
( ପ୍ରବେଶ କଲେ ଶଚୀ ଦେବୀ )
ଶଚୀ- ଏଡ଼େ ଗର୍ବ ?
ଆଦେଶ ଲଙ୍ଘନ କରି,
ନୃତ୍ୟଗୀତେ ମାତି,
କର୍ତ୍ତବ୍ୟରେ କର ଅବହେଳା ?
ଭୋଗିବ କଠୋର ଶାସ୍ତି ।
ତରଙ୍ଗିଣୀ ! ତୁହି ଆସି.........
( ଗନ୍ଧର୍ବ ଓ ଗାନବତୀ ପ୍ରଣତିପୂର୍ବକ ଠିଆହେଲେ )
ଗନ୍ଧର୍ବ- କ୍ଷମା ହେଉ ଦେବେନ୍ଦ୍ରାଣୀ !
ଦେବସଭାସ୍ଥଳେ
ନୃତ୍ୟଲାଗି, ଆଜି
ଦେଇଛନ୍ତି ଦେବେନ୍ଦ୍ର ଆଦେଶ ।
ତେଣୁ ଅଭ୍ୟାସ କରାଉଥିଲି-
କର୍ତ୍ତବ୍ୟ ଶେଷରେ ।
ଶଚୀ- କାହିଁ ପାରିଜାତ ତେବେ ?
( ଗାନବତୀ ଯିବାକୁ କୁଣ୍ଠିତା ହୋଇ କାନରେ କଅଣ କହିଲା ଗନ୍ଧର୍ବର )
ବିଳମ୍ବ କାହିଁକି ?.......
କର୍ତ୍ତବ୍ୟ ସାରିଛ ବୋଲି, କହୁଥିଲ ଏବେ ?
( ଗାନବତୀ ଭୟରେ ଚାଲିଗଲା )
ମିଥ୍ୟାବାଦୀ !
ବିଚାରିଛ ଛଳନାରେ ଭୁଲାଇବ ମୋତେ ?
( କ୍ଷଣ ନୀରବ )
ଲଗ୍ନ ଗଡ଼ିଯାଏ ।
କାହିଁ ପାରିଜାତ ?
ଦେବରାଜ ଆଜ୍ଞା ହେଲା ବଡ଼ !
ଆଉ ନାରୀ ବୋଲି-
ମୋ ଆଦେଶ ଅବଜ୍ଞାରେ ଦେଇଛ ପାସୋରି ?
ଗନ୍ଧର୍ବ- ଦେବେନ୍ଦ୍ରାଣୀ !
ଲଙ୍ଘି ନାହିଁ ଆଜ୍ଞା କେବେ ଅଧମ କିଙ୍କର ।
ଆଜି ମଧ୍ୟ ପାଳିଛି କର୍ତ୍ତବ୍ୟ;
ଆସୁଥିବେ ଗାନବତୀ
ପାରିଜାତ ଘେନି । ଶାନ୍ତ ହୁଅ ମାତା !
( ଗାନବତୀ ଗୋଟିଏ ଚେଙ୍ଗୁଡ଼ିରେ ପାରିଜାତ ଘେନି ପହୁଞ୍ଚିଲେ )
ଶଚୀ- ( ଫୁଲ ଦେଖି ) ଏ କି କଥା ?
ଆଦେଶିଲି ଶତ ପାରିଜାତ-
ସପ୍ତ ପାରିଜାତ ଆଣି
କହୁଅଛ ପାଳିଛି କର୍ତ୍ତବ୍ୟ ?
ଗାନବତୀ- ଅପରାଧ ନାହିଁ ମୋର ଦେବୀ !
ଫୁଟିଥିଲା ଯାହା,
ତୋଳି ମୁଁ ଆଣିଛି ସବୁ ।
ଶଚୀ- ( ରୋଷରେ ) ଲୋଡ଼ା ନାହିଁ ମୋର ।
କି ହେବ ସେ ପାରିଜାତ ?
ଗାନବତୀ !
କହୁଚୁ ତୁ ସତ୍ୟ ?
ଗାନବତୀ- ମିଥ୍ୟା କି ମୁଁ କହିପାରେଁ
ଦେବୀଙ୍କ ସମ୍ମୁଖେ ?
ଶଚୀ- ଫିଙ୍ଗିଦିଅ -
ନାହିଁ ପ୍ରୟୋଜନ ଆଉ ।
ଅପମାନ ! ଅପମାନ ମୋର !
ଅବଜ୍ଞା କରିଲା ମୋତେ ?
( ପାରିଜାତକୁ ଦୂରକୁ ଫିଙ୍ଗିଦେଇ )
ଇନ୍ଦ୍ରାଣୀ ମୁଁ,
ଦେବରାଜପ୍ରିୟା ।
ନାଗ, ନର, ବରୁଣ, କୁବେର
ତିନିଲୋକ
ଆଜ୍ଞାବହ ଯାର;-
ବିମଳ ଶୀତଳ କରେ
ପୂର୍ଣ୍ଣ ଶଶଧର,
ନିତି କରେ ସେବା ଯାର
ଭୁଲି ପକ୍ଷ, ତିଥି;-
ସମୀରଣ- ଅବାଧ୍ୟ ବୋଲି ଯା ଖ୍ୟାତି
ଆଲଟ ପକାଏ ସଦା-
ମୃଦୁ ମନ୍ଦ ଫୁଲଗନ୍ଧ ଘେନି ।
ଆଦେଶ ଅବଜ୍ଞା କରେ ପାରିଜାତ ଛାର ?
ଏଡ଼େ ଗର୍ବ ତାର ?
ଶତ ପାରିଜାତେ
ପୂଜିବାକୁ ପଶୁପତି କରିଥିଲି ପଣ ।
ପୂଜା ହେଲା ପଣ୍ଡ !
ସତ୍ୟ ମୋର ହେବ ଭଙ୍ଗ ?
ଜଣାଇଁ ନଥିଲୁ ତୁ କି,
ପାରିଜାତ ବୃକ୍ଷେ - ଅଭିଳାଷ ମୋର ?
ତରଙ୍ଗିଣୀ- ଇନ୍ଦ୍ରାୟଣୀ !
ଆଦେଶ ପାଳନେ,
ତରଙ୍ଗିଣୀ ଜୀବନରେ ଘଟି କି ପାରଇ ତ୍ରୁଟି ?
ବାର ବାର କରି, ନିଜେ ମୁହିଁ,
ଶୁଣାଇ ଆସିଛି ଯାଇ ଦେବୀଙ୍କ ଆଦେଶ ।
ଶଚୀ- ତଥାପି ?
ତଥାପି ଏ ଅପମାନ ?
ଇନ୍ଦ୍ରାଣୀର ଆଦେଶ ଲଙ୍ଘନ କଲା ଛାର ତରୁ ଆଜି ?
( ଅଦୂରରେ ଶୁଣାଗଲା ନାରଦଙ୍କ କଣ୍ଠରେ ଗୀତ- ମେଘଲୋକରୁ ଗୀତ ଗାଇ ଗାଇ ନାରଦଙ୍କ ପ୍ରବେଶ )
ମନ-ଚନ୍ଦନ, ସୁନ୍ଦର, ଭୁବନମୋହନ ଘନଶ୍ୟାମ,
ନାରାୟଣ !
ସାଗର-ରାଜ-ତନୁଜା ରୂପ-ଲୋଭନ,
ଶୋଭନ ତନୁ ଅଭିରାମ !
ଚରଣ- କଞ୍ଜତଳେ ଜଗଜ୍ଜନ ବନ୍ଦେ, ନନ୍ଦିତ କର ତିନିଧାମ ।
(ଶଚୀ ଓ ତରଙ୍ଗିଣୀ ଇତ୍ୟାଦି ତାଙ୍କୁ ଅଭିବାଦନ କଲେ)
ଶଚୀ- ପ୍ରଣାମ ଦେବର୍ଷେ !
ନାରଦ- ପୂର୍ଣ୍ଣ ହେଉ ମନୋବାଞ୍ଛା ଦେବୀ !
( ତଳେ ପଡ଼ିଥିବା ପାରିଜାତ ଉପରେ ନାରଦଙ୍କ ଦୃଷ୍ଟି ପଡ଼ିଲା )
ଏ କି କଥା ?
ଦେବତାର ଅହଂକାର- ସ୍ୱର୍ଣ୍ଣ ପାରିଜାତ !
ଅନାଦରେ ଲୋଟୁଛି ଭୂତଳେ ?
ଅଜାଣତେ ଖସିପଡ଼ିଅଛି ପରା ଦେବୀଙ୍କ ଶ୍ରୀକରୁ !
( ଗୋଟାଇବାକୁ ଗଲେ )
ତରଙ୍ଗିଣୀ- ( ବାଧାଦେଇ ) ଦେବୀଙ୍କ ଆଦେଶ-
ନାରଦ- ( ଯାଉ ଯାଉ ରହିଯାଇ )
କି ଆଦେଶ ଦେବରାଣୀ ?
ଶଚୀ- ( ଅଭିମାନରେ ) ଅପମାନ କରିଅଛି ମୋତେ-
ଛାର ପାରିଜାତ ତରୁ ।
ନାରଦ- ( ହସି ) ପ୍ରତ୍ୟୟ ନ ହୁଏ ମୋର ।
ଯମ, ଅଗ୍ନି, ଗନ୍ଧର୍ବ, କିନ୍ନର ;
ଏମନ୍ତ କି ସ୍ୱୟଂ ଦେବରାଜ,
ଅବା ଚତୁର୍ମୁଖ ଧାତା-
ମୋ ବିଚାରେ, କାହାରି ନାହିଁ ତ ଶକ୍ତି
ଇନ୍ଦ୍ରାଣୀରେ ଦେବ ଅପମାନ ।
ଅସମ୍ଭବ ଶୁଣେ ଦେବରାଣୀ !
ଏ କି ସତ୍ୟ କଥା ?
ପାରିଜାତ ଦେଲା ଅପମାନ ?
ତରଙ୍ଗିଣୀ- ଖାଲି ଅପମାନ ନୁହେଁ;
ତାହା ଲାଗି
ସତ୍ୟ-ଭ୍ରଷ୍ଟ ହେଲେ ଆଜି ଦେବୀ
ଦେବଦେବ ନୀଳକଣ୍ଠ ପାଶେ ।
ନାରଦ- ସୁରେନ୍ଦ୍ରାଣୀ ସତ୍ୟଭ୍ରଷ୍ଟ ପାରିଜାତ ଲାଗି !
ଏହା କି ସମ୍ଭବ ?
ଶଚୀ- ସତ୍ୟ ମୁନେ, ତରଙ୍ଗିଣୀ କଥା ।
ଦେବରାଜ କଲ୍ୟାଣମାନସେ
ଶିବପଦେ ଶତ ପାରିଜାତ ଭେଟି
ପୂଜିବାକୁ କରିଥିଲି ପଣ ।
ନାରଦ- ସୁଖୀ ହେଲି ଶୁଣି ତବ-
ଶିବପୂଜା ଆୟୋଜନ କଥା ।
କିନ୍ତୁ ତହିଁ ସଙ୍ଗେ ଶକ୍ତିପୂଜା ଲାଗି
କି ବ୍ୟବସ୍ଥା ହୋଇଅଛି ଦେବେନ୍ଦ୍ର-ଗୃହିଣୀ ?
ଶକ୍ତିହୀନ ଶିବ ପୂଜି କିବା ଲାଭ ତହିଁ ?
ଶଚୀ- ଶକ୍ତି ?
ଶିବ କାୟା- ଶକ୍ତି ଛାୟା ।
ଛାୟାପୂଜା ନିରର୍ଥକ ନୁହେ କି ଦେବର୍ଷେ !
ବିଶେଷତଃ, ଶକ୍ତି-ନାରୀ ;
ଶିବ, ପୁରୁଷ-ପ୍ରଧାନ ।
ନାରଦ- ତେବେ କୁପିତା କାହିଁକି ଆଉ ?
କି ଲାଗି ବା ଅଭିମାନ ଦେବି !
ଶତ ପାରିଜାତ ଲାଗି
ଦେବରାଜ ଦେଇ ତ ନାହାନ୍ତି ଆଜ୍ଞା !
ଶଚୀ- ନା, ନ ହେଲେ ବା ।
ଆଦେଶ ତ ଦେଇଥିଲି ମୁହିଁ ।
ଦେବରାଜଗୃହିଣୀ ମୁଁ
ସେ କଥା କି ନାହିଁ ତା ସ୍ମରଣ ?
ନାରଦ- ( ହସି ) କିନ୍ତୁ ଦେବି !
ମୋ ବିଚାରେ ପାରିଜାତ ନୁହେ ଅପରାଧୀ ।
ଲଙ୍ଘି ତ ନାହିଁ ସେ କେବେ ଦେବେନ୍ଦ୍ର ଆଦେଶ ।
ଅବହେଳା ଯଦି ଥାଏ କରି, ସେ ତ ତବ ଅନୁରୋଧେ ।
ଭୁଲି କି ଯାଉଛ ଦେବି ! ବାସବ-ପୁରୁଷ ;
ଆଉ ଶଚୀ-ନାରୀ ?
ଶଚୀ- ପାସୋରି କି ଯାଉଛନ୍ତି ଶଚୀ-ସ୍ୱଗ-ଅଧିଷ୍ଠାତ୍ରୀ ?
ଏ ଯୁକ୍ତି ସମ୍ଭବ ନୁହେଁ-
ମୋହପକ୍ଷେ କେବେ ।
ପାରିଜାତ କରିଅଛି ଗୁରୁ ଅପରାଧ ।
ଦର୍ପ ତାର କରିବି ମୁଁ ଚୁର୍ଣ୍ଣ,
ରୋପି ଶତ ପାରିଜାତ ତରୁ ନନ୍ଦନକାନନେ ।
ଏକମାତ୍ର ତରୁ ବୋଲି ଗର୍ବ ତାର କରିବି ଗଞ୍ଜନ ।
ଜଣାଇ ଦେବେନ୍ଦ୍ରେ-ଅବିଳମ୍ବେ କରିବି ବ୍ୟବସ୍ଥା ।
ନାରଦ- କିନ୍ତୁ ମନେ ହୁଏ ,
ନିରର୍ଥକ କୋପ ତବ ।
ବୃଥା ଅଭିମାନ-ଆସ୍ଫାଳନ ଯେତେ ।
ପାରିଜାତ, ବିଧାତାର ଦାନ-
ଏକାଧିକ ସୁରତରୁ ନନ୍ଦନେ ରୋପଣଲାଗି-
ସମର୍ଥ ନୁହନ୍ତି ସ୍ୱୟଂ ଦେବରାଜ ଇନ୍ଦ୍ର !
ଶଚୀ- କିନ୍ତୁ, ସତ୍ୟ ମୋର ଅଚଳ, ଅଟଳ ।
ଚାଲ୍ ତରଙ୍ଗିଣୀ !
ଜଣାଅ ଲୋ, ସୁରପତି ବଜ୍ରଧରପଦେ
ଅବିଳମ୍ବେ ଦରଶନ, ଅପେକ୍ଷା ମୋହର ।
( ରାଗି ଚାଲିଗଲେ )
ନାରଦ- ( ହସି ) ଗର୍ବ ! ଦର୍ପ !
ନାରାୟଣ ଗରବଗଞ୍ଜନ
ଯୋଗିଜନ ମନମୋହନ ହେ,
କମଳା ତନୁବର ଶୋଭନ ହେ !
ଦର୍ପହାରୀ ହରି ଶରଣରକ୍ଷଣ ହେ !
ପ୍ରଣତି ଘେନ ଗୁଣ-ଧାମ-ନାରାୟଣ
(ଗାଇ ଗାଇ ପ୍ରସ୍ଥାନ)
( ମହୀଷାସୁରର ଦୁଇଜଣ ସୈନ୍ୟ ଆସି ପହଞ୍ଚିଲେ )
ପ୍ରଥମ ସୈନ୍ୟ- ବୁଝିଲୁ ? ସେନାପତି ଜାଣିବ ଯେବେ ଆଉ ମୁଣ୍ଡ ରହିବ ନାଇଁଟି !
ଦ୍ୱିତୀୟ- ଲକ୍ଷ ଲକ୍ଷ ସୈନ୍ୟ । କିଏ କାହାର ଖୋଜ-ଖବର ରଖୁଚି ରେ ? ଆମେ ଫେର୍ ଯାଇ ସଞ୍ଜଆଗରୁ ଛାଉଣିରେ ପହଞ୍ଚିଯିବା ନାଇଁ । ଆରେ ଭାଇ, ସବୁବେଳେ ଉଠ୍ ବସ୍;-ବନ୍ଧନ ଭିତରେ କେତେ ସୁଖ ଲାଗିବ କହିଲୁ ? ମନବୋଧ କରି ଟୋପେ ପିଇବି ବୋଲି କୋଉଦିନୁ ପାଟି ଟକଟକ ହେଲାଣି । ଜାଣୁ ତ, ସାଙ୍ଗକୁ ଜଣେ କେହି ନ ହେଲେ ଏ ନିଶାର ମହତ ନାଇଁ । । ଖସିଚେଁ ତ ବହୁତ କଷ୍ଟରେ । ଦିନଟେ ହେଲେ ମଉଜ ହେଇଥାଉ ।
ପ୍ରଥମ- ମୋର କଅଣ ମନଟା ନ ଥାଏ- ହେଲେ ବେଳ କାଇଁ ? ସବୁବେଳେ ତ ଖାଲି ଯୁଦ୍ଧ, ଯୁଦ୍ଧ । ଦିନ ଦିଟା ଟିକିଏ ଆରାମରେ ବସିବାକୁ ତର ନାଇଁ-ମାଲ କାଇଁ ?
ଦ୍ୱିତୀୟ- ରଖିଚି ମ । ବସ୍, ଟିକିଏ ଥକା ମାରିନେବା ।
ପ୍ରଥମ- ଆରେ ହେ, ଯୁଦ୍ଧ ତ ହବ । ରଜା ଇନ୍ଦ୍ରକୁ ଜିଣି ସରଗ ଭୋଗ କରିବ । ଭଲା ଆମେ ବାପୁଡ଼ା ଯୁଦ୍ଧରେ ଜୀଇଲେ ପାଇବା କଅଣ ?
ଦ୍ୱିତୀୟ- ମୋର ତ ଭାଇ, ଆଶା-ଖାଲି ସରଗର ସେଇ-ନାଚୁଣୀ ଟୋକୀ ଗୋଟାକେତେ । କଅଣ ସେ ଦିନ କହୁଥିଲେ ନାଆଁ ତାଙ୍କର-ଦେବତାମାନେ ତାଙ୍କୁ ଅସରପା ବୋଲି ଡାକନ୍ତି ପରା ?
ପ୍ରଥମ- ନାଇଁମ, ଧେତ୍ ! ଅପରଛନା, ଅପରଛନୀ ।
ଦ୍ୱିତୀୟ- ହେଇଥିବ, ହେଇଥିବ । ଇନ୍ଦ୍ରକୁ ମାରି ତ ରଜା ବାହାହବ ଶଚୀକି । ଆମେମାନେ ଗୋଟେ ଦିଟା ସେଇଥିରୁ ରଖିବା ।
ପ୍ରଥମ- ଆଖି ଖସିପଡ଼ିବ ରେ ଭାଇ, ଯୋଉ ସୁନ୍ଦର ସେ ଟୋକିଗୁରାକ ! ହାଣ ଯେବେ ଖାଇଲି ଯୁଦ୍ଧରେ...ଗଲା- ନଇଲେ ଭାଇ, ଜୀଇଥିଲେ ଏକା-ତାଙ୍କୁ ନେଇ ଦିହକ କାଟିଲେ, ଜୀବନଟା, ଜୀବନପରି ନା-ଆଉ-?
ଦ୍ୱିତୀୟ- ମୁଁ ତ ନାଖ ରଖିଚି-ପୁଞ୍ଜାଏ ଏଥିରୁ ମୋର ।
ପ୍ରଥମ- ଆରେ, ଦେବତାମାନଙ୍କର କେତେ ଦେବତୁଣୀ ଅଛନ୍ତି ମ ! ହଜାର, ହଜାର ! ଯେ ଯାହାକୁ କରୁ ଭାଇ, ମୋର ଏକା ସେଥିରୁ ଗଣ୍ଡାଏ ଚାହି । ଗୋଟିକୁ କହିବି ଗୋଡ଼ ଘଷ୍, ଗୋଟିକୁ କହିବି ଅଣ୍ଟା ଚିପ୍, ଗୋଟାକୁ କହିବି ହାତ ମୋଡ଼୍-ଆଉ ଗୋଟିକ ଭାଇ, - ଚାରିଜଣଙ୍କ ଭିତରେ ସବୁଁଠୁଁ ବଳି ଥିବ ଯେ ସୁନ୍ଦରୀ-ତା କଥା-ସେ ତ ହେବ ମୋର-
ଦ୍ୱିତୀୟ- ଧେତ୍, ତୁ ଗୋଟେ ନିପଟ ଅରସିକିଆଟେ । ହଇରେ, ସେଇଭଳି ମାଇପିଙ୍କୁ ଗୋଡ଼ ଘସେଇବୁ ? ଓଲଟି ତାଙ୍କ ଗୋଡ଼ ଘଷି ସୁଖ କି ? ଆରେ, ଆମ ଦିହ ସିନା ପଥର ପରି ଟାଣ, ସେ ପରା ସବୁ ଲହୁଣୀ ରେ ! ଦେବତାମାନେ କଅଣ ଊଣା ମଉଜି କି ?
ପ୍ରଥମ- ଚାଲ, ଗଛମୂଳେ ମାଲ ରଖି ଆଇଚି, ଟୋପେ ଟୋପେ ପକେଇ ସାରି, ତାପରେ.... ( ଯୁଦ୍ଧନାଗରା ବାଜିଲା )
ହଇ ରେ ! ପାଖଟାରେ ଶୁଭୁଚି । ( ଉଠିପଡ଼ିଲା )
ଦ୍ୱିତୀୟ- ମଲା, ଆମେ ଆଉ ହତିଆର ଘସିବୁ ନାଇଁ କି ରେ ? ମୁଁ ହତିଆର ଘଷୁଥିଲି, ତୁ ପାଣିଢାଳୁଥିଲୁ, ବୁଝିଲୁ ?
ପ୍ରଥମ- ଆରେ ବାଃ, ଭଲ ବୁଦ୍ଧି ଟାଏ କାଢ଼ିଲୁ ।
ଦ୍ୱିତୀୟ- ମଲା ! କାଢ଼ିଲିଣି କଅଣ ମ ? ତୁ ଚାଲ, ମନ୍ଦିଏ ପେଟରେ ପଡ଼ିଲେ ଆହୁରି କେତେ ଅଛି କି, ସମ୍ଭାଳି ପାରିବୁ ନାହିଁ । ବୋଇଲା ଭଲ ବୁଦ୍ଧି ! ଆମେ କଅଣ ଦେବତା ନା ମଣିଷରେ ? ଅସୁରପିଲାଟି ! ଚାଲ ଗଛମୂଳକୁ ଅନାଁ-
ପ୍ରଥମ- ବାଃ ! ( ଚାଲିଗଲେ ଦୁହେଁ )
(ସମାସୀନ ଦେବରାଜ ଓ ଅନ୍ୟାନ୍ୟ କେତେକ ଦେବତା । ସମ୍ମୁଖରେ ଗନ୍ଧର୍ବ ଓ ଅପ୍ସରା । ଅପ୍ସରା ନୃତ୍ୟ କରୁଥିଲା; ନୃତ୍ୟ ଶେଷ ହେବାର ଅଳ୍ପକାଳ ପୂର୍ବେ ଦେବସଭାରେ ଉପସ୍ଥିତ ହେଲେ ଶଚୀଦେବୀ । ଦେବତାମାନେ ଆସନ ତ୍ୟାଗ କରି ଦଣ୍ଡାୟମାନ ହେଲେ; ଇନ୍ଦ୍ର ନୃତ୍ୟ ବିରାମର ନିର୍ଦ୍ଦେଶ ଦେଲେ । ଶଚୀଦେବୀ ସିଂହାସନତଳେ ପହଞ୍ଚିବା ମାତ୍ରେ ଦେବରାଜ ପ୍ରଶ୍ନ କଲେ ତାଙ୍କୁ-)
ଇନ୍ଦ୍ର- ( ଉଠି )...
ସ୍ୱାଗତ ମୋ ଦେବରାଣି !
ପରମ ସୌଭାଗ୍ୟ ଆଜି ।
ଆସ ଦେବି ! ଆସ ସିଂହାସନେ ।
ଉର୍ବଶୀ ଗୋ, ଛନ୍ଦେଛନ୍ଦେ ଯଥା
ଆନନ୍ଦଲହରୀ ଖେଳୁ ଦେବସଭାଭରି ।
ଆସ, ଆସ ପାଶେ ଦେବେନ୍ଦ୍ର-ଘରଣୀ !
( ଶଚୀଦେବୀ ସିଂହାସନ ତଳେ ଛିଡାହୋଇ ରହିଲେ )
ଅମରାର ସିଂହାସନ କର ଗୋ ପବିତ୍ର ।
ଶଚୀ- ଶଚୀର ଇନ୍ଦ୍ରାଣୀ-ଗର୍ବ,
ସମ୍ମାନ, ମହତ୍ତ୍ୱ-ସରିଛି ସକଳ ।
ଅପମାନେ ବିଦଳିତ ଗୌରବ ମୋହର ।
କି ସରାଗେ ବସିବି ମୁଁ
ସିଂହାସନେ ଦେବ !
ଇନ୍ଦ୍ର- ଅପମାନ ! ଦେବରାଜ-ଗୃହିଣୀରେ ?
ତିନିପୁରେ କାହାର ଏ ସ୍ପର୍ଦ୍ଧା ?
ବଜ୍ରଧର ନାମେ ମୋର ଦେବାକୁ ଚେତାଇ
କେ କଲା ସାହସ କହ ମରଣ ମନାସି ?
କହ ଗୋ ଇନ୍ଦ୍ରାଣୀ !
ଅବିଳମ୍ବେ ପାପମତି ଲଭିବ ତା ଶାସ୍ତି ।
ଶଚୀ- ତବ ଶୁଭ ମନାସି ଦେବେନ୍ଦ୍ର !
ଶିବପୂଜା କରି ଆୟୋଜନ
ଶତ ପାରିଜାତ ଲାଗି ଦେଲି ମୁଁ ଆଦେଶ ।
ତରଙ୍ଗିଣୀ ବିଳମ୍ବ ବିହିଲା ଯହୁଁ,
ଆଣିବାକୁ ଫୁଲ , ନିଜେ ଯାଇ, ବୁଝିଲି ମୁଁ-
ଶତପୁଷ୍ପ ବଦଳରେ, ସପ୍ତପୁଷ୍ପ ଧରେ ଦେବ-ତରୁ ।
ତୋଳିଅଛି ଗାନବତୀ ତାହା ।
ଶିବପୂଜା ବିଘ୍ନ ହେଲା ମୋର ।
ଇନ୍ଦ୍ର- ବିଘ୍ନ ? ପୂଜାରେ ତୁମ୍ଭର ?
ଅପରାଧ ନୁହେଁ ମାର୍ଜ୍ଜନୀୟ ।
ନ ହୁଅ କୁପିତା-ଚିନ୍ତା ତେଜ, ଦେବି !
ଅବିଳମ୍ବେ ପାରିଜାତ ଦମ୍ଭ ହେବ ଚୂର୍ଣ୍ଣ ।
ଶିବପୂଜା କରିବ ଗୋ ଶତ ପାରିଜାତେ ।
ଶଚୀ- ତହିଁ ପୂର୍ବେ, ପଣ ମୋର ଶୁଣ ବଜ୍ରଧର !
ଶତ ପାରିଜାତ ତରୁ ନନ୍ଦନେ ଭରିବ,
ଲକ୍ଷ ପୁଷ୍ପେ ମହକିବ-
ସେହି ତରୁଅଙ୍ଗ ଲଭି ସମାଦର ।
ଆଉ ପୁଷ୍ପହୀନ, ଗନ୍ଧହୀନ-
ପତିହୀନା ନାରୀ ସମ
ଅନାଦୃତ, ନିର୍ଲ୍ଲଜ ଜୀବନ ବହି,
ଦେଖୁଥିବ ଉପସ୍ଥିତ ତରୁ ପାରିଜାତ ।
( ନାରଦ ପ୍ରବେଶ କଲେ )
ନାରଦ- ନାରାୟଣ, ନାରାୟଣ, ନାରାୟଣ !
ଇନ୍ଦ୍ର- ଆସନ୍ତୁ, ଆସନ୍ତୁ, ଦେବର୍ଷେ !
ପ୍ରଣାମ ଚରଣେ ।
( ଆସନ ନିର୍ଦ୍ଦେଶ କଲେ )
ନାରଦ- ( ବସିସାରି ) ନାରାୟଣ ପଦେ ରହୁ ମତି ।
କୁଶଳ ତ ସବୁ ସୁରପତି ?
ଇନ୍ଦ୍ର- ଆଶୀର୍ବାଦେ ତବ ମଙ୍ଗଳ ସକଳ ।
କିନ୍ତୁ.. ( ହଠାତ୍ ଶଚୀଙ୍କୁ ଦେଖି )
ନାରଦ- କିନ୍ତୁ ...
ଏ କି କଥା ?
ଦେବେନ୍ଦ୍ରାଣୀ ଉଭା କିପାଁ ସିଂହାସନତଳେ ?
ଶଚୀ- ଜାଣନ୍ତି ତ ସକଳ ଦେବର୍ଷେ !
ପାରିଜାତ ଦେଇଅଛି ଯେଉଁ ଅପମାନ,
ସେ ଲାଞ୍ଛନା ପ୍ରତିଶୋଧ ବିନେ
ସିଂହାସନେ ନାହିଁ ମୋର ସ୍ଥାନ ।
ନାରଦ- ଭୀଷଣ ଏ ପଣ କିନ୍ତୁ ;
ଶୁଣିଛି ମୁଁ ସବୁ ଦେବରାଜ !
ଶଚୀ- ଦେଖିଛନ୍ତି ସ୍ୱଚକ୍ଷୁରେ ମହର୍ଷି ନାରଦ ।
ନାରଦ- ଆଉ କହିଛି ତ ସବୁ, ଦେବେନ୍ଦ୍ରାଣୀ,
ଦେବରାଜ ସକ୍ଷମ କି ହେବେ
ମନୋବାଞ୍ଛା ପୂରଣରେ ତବ ?
ଶଚୀ- କହନ୍ତୁ ମଘବା !
ସମର୍ଥ କି ନୁହନ୍ତି ଆପଣେ
ଅପମାନ ପ୍ରତିଶୋଧ ଲାଗି ?
ସମ୍ଭବ କି ନୁହେଁ, ତେବେ
ଶତ ପାରିଜାତ ତରୁ ସର୍ଜନା ଉଦ୍ୟାନେ ?
ନାରଦ- ହଁ, ଜାଣନ୍ତି ମଘବା
ସମ୍ଭବ କି ଅସମ୍ଭବ ତାହା ।
ଏକମାତ୍ର ସୁରତରୁ ବିଧାତାର ସୃଷ୍ଟି ।
ଅଧିକ ସର୍ଜନା,-ମୋ ବିଚାରେ,
ଅସମ୍ଭବ ନୁହେଁ କି ଦେବେନ୍ଦ୍ର ?
(ସହସା ଦୂରରୁ ଘନ ଘନ ତୁର୍ଯ୍ୟନାଦ ହେଲା ଦେବସିଂହାସନ ଥରିଉଠିଲା-ଇନ୍ଦ୍ର ଚମକି ଆସନ ତ୍ୟାଗ କଲେ)
ଇନ୍ଦ୍ର- ଏ କି ତୂର୍ଯ୍ୟନାଦ !
ଘଟିଲା କି ଅମଙ୍ଗଳ କିଛି ?
ସ୍ୱର୍ଗପୁର ଥରିଉଠେ ରଣଭେରୀ ସ୍ୱନେ !
ଅବିଳମ୍ବେ ନିଅ ହେ ସମ୍ବାଦ ?
ଅସମୟେ ଏ କିବା ପ୍ରମାଦ ?
ଜାଣନ୍ତି କି ଘଟଣା ଦେବର୍ଷି ?
ନାରଦ- ଅନୁମାନେ ମୁହିଁ-
ବିଧାତାର ବରେ ବଳୀୟାନ ମହୀଷା ଅସୁର,
ଇନ୍ଦ୍ରପଦ ଲାଭ ଲାଗି ଉତ୍କଣ୍ଠିତ ଅତି ।
କେ ଜାଣେ ବା ଦର୍ପଭରେ ମାଗୁଅଛି ରଣ ।
ଇନ୍ଦ୍ର- ଅମରମଣ୍ଡଳି ! ତୁରିତେ ସମ୍ବାଦ ନିଅ ।
ଅମଙ୍ଗଳ କରଇ ଆଶଙ୍କା । (ଘନ ଘନ ତୂର୍ଯ୍ୟନାଦ)
ନିକଟରୁ ନିକଟେ ଶୁଭିଲା -
ଏ କି ଅଘଟଣ ଘଟେ ଦେବର୍ଷି ନାରଦ !
ଅବିଳମ୍ବେ କର ଗତି ଆକାଶପଥରେ ।
ମୂହୁର୍ତ୍ତକେ ଆଣ ହେ ସମ୍ବାଦ ।
ନାରଦ- ଆସୁଛି ମୁଁ ଦେବରାଜ ! ଅଚିରେ ଫେରିବି ।
ନାରାୟଣ, ନାରାୟଣ, ନାରାୟଣ, ( ପ୍ରସ୍ଥାନ )
( ପୁନଃ ତୂର୍ଯ୍ୟଧ୍ୱନି )
ଇନ୍ଦ୍ର- ସାଜ ସାଜ ଅମରମଣ୍ଡଳି !
ନାହିଁ ଅବସର ।
ରାଣୀ, ଯାଅ ଅନ୍ତଃପୁରେ ;
ସୁରପତି ଅସମର୍ଥ ଆଜି ତବ ପ୍ରାର୍ଥନା ପୂରଣେ-
ନାହିଁ ଅବସର ।
ଶଚୀ- ଫଳିଲା କି ଦେବର୍ଷି - ବଚନ ?
ଇନ୍ଦ୍ର- କି ଦେଖୁଚ ଦେବଗଣ !
ସୁରପୁରେ ଉପସ୍ଥିତ ବିପଦ ବିଷମ !
ସାଜ ସୈନ୍ୟ, ସାଜ ରଥ ।
ଦିଅ ହେ ସମ୍ବାଦ ।
କାହିଁ ଶୃଙ୍ଗଧର ?
କାହିଁ ଐରାବତ ?
କାହିଁ ବଜ୍ର ?
କାହିଁ ବଜ୍ର ?
ଚକ୍ରଧର, ଚକ୍ରଧର, ଚକ୍ରଧର ଭରସା ଏ କାଳେ ।
( ଇନ୍ଦ୍ର ବିବ୍ରତ ହୋଇପଡ଼ିଲେ- ବଜ୍ର ଆସି କରରେ ପହୁଞ୍ଚିଲା । ଦୂରରେ ତୂର୍ଯ୍ୟନାଦ ଶୁଭୁଥିଲା । ଘନ ଘନ ଘଣ୍ଟାଧ୍ୱନି ହେଲା; ଇନ୍ଦ୍ର ସିଂହାସନରୁ ଓହ୍ଲାଇ ଆସିଲେ ) ।
ଯବନିକା
( ଅନନ୍ତଶୟନରେ ନାରାୟଣ ପଦସେବା କରୁଥିଲେ ନାରାୟଣୀ । ସମ୍ମୁଖରେ ଦେବତାମଣ୍ଡଳୀ ସ୍ତବ ପାଠ କରୁଥିଲେ ।
ସ୍ତବପାଠପରେ ନାରାୟଣଙ୍କ ନିଦ୍ରାଭଙ୍ଗ ହେଲା । )
ଶଙ୍କା ହର ଜାଗ - ଶଙ୍ଖନାଦି !
ଜାଗ ଧରା-ଭୟ ବିନାଶି,
ଦଳିତ ସୁରଗଣ ପୀଡ଼ିତ ଅନ୍ତର
ଜାଗ ହେ ଅବିନାଶି !
ରୁଦ୍ଧଦ୍ୱାରେ ରୁଷ୍ଟ ଦାନବ
ତ୍ରାହି ତ୍ରାହି ରବେ ତ୍ରସ୍ତ ଭବ-ଜୀବ
ନାହିଁ ହେ ଶକତି ନିଖିଳ ଜନ ଗତି
ଚକ୍ରଧର ! ଜାଗ ଅସୁର ତ୍ରାସି ।
ଦେବତାମାନେ- ନମୋ ନମୋ ଦେବ ଚକ୍ରଧର !
ନାରାୟଣ- ଏ କି ଦେଖେଁ ?
ଦେବରାଜ ତୁଲେ, ଦେବତାବଣ୍ଡଳୀ
ଉପଗତ କି କାରଣେ ଆଜି ?
ଇନ୍ଦ୍ର- ଅନ୍ତର୍ଯ୍ୟାମି, ହେ ପୁରୁଷୋତ୍ତମ !
ଆଉ ଦେବରାଜ କିପାଁ ?
ସ୍ୱର୍ଗଚ୍ୟୁତ, ସ୍ଥାନଚ୍ୟୁତ,
ସିଂହାସନ-ଚ୍ୟୁତ ଆଜି ସ୍ୱର୍ଗର ମଘବା ।
ସୁରପୁରେ ବିଷମ ସଙ୍କଟ ।
ପ୍ରପୀଡ଼ିତ ସୁର, ନାଗ, ଗନ୍ଧର୍ବ, କିନ୍ନର,
ଦୁର୍ମ୍ମଦ ଅସୁର ତାପେ ।
ନାରାୟଣ- ଅଘଟନ ଶୁଣଇଁ ଶ୍ରବଣେ ।
ସୁରପତି ! ସବିଶେଷ କର ହେ ପ୍ରକାଶ ?
ଇନ୍ଦ୍ର- ପିତାମହ-ବରେ ବଳୀ ମହୀଷା ଅସୁର,
ଅବହେଳେ ପରାଜିତ କରି ସୁରସେନା
ଦେବତାରେ ଦିଅଇ ଲାଞ୍ଛନା ।
ସୂର୍ଯ୍ୟ, ଚନ୍ଦ୍ର, ବରୁଣ, କୁବେର
ଖଟନ୍ତି ତା ଦାସପଣେ ।
ଅତ୍ୟାଚାରେ ତାର
ସୁରପୁରୀ କରେ ହାହାକାର
ପ୍ରତିକାର କର ନାରାୟଣ !
ଏ ସଙ୍କଟେ ତବ ବିନୁ ନାହିଁ ପରିତ୍ରାଣ ।
ନାରାୟଣ- ଆଦରର ସ୍ୱର୍ଗପୁରୀ ହୁଏ ଛାରଖାର ?-
ଗୁରୁ ବ୍ୟଥା ଲାଗେ ମନେ ।
ଅନ୍ୟାୟର ମୁହଁ କାଳଦଣ୍ଡ,
ଧର୍ମ ସଂସ୍ଥାପନା ମୋର କର୍ମ ।
କିନ୍ତୁ ଦେବରାଜ !
ବଳୀ ସେ ଯେ ବିଧାତାର ବରେ ।
ପୁରୁଷର କରେ ତାର ନୋହିବ ମରଣ ।
କି କରିବି ? ଉପାୟବିହୀନ ।
ଇନ୍ଦ୍ର- ଚକ୍ରାଧର !
ଚକ୍ରଥାଉ କରେ ତବ,
ଭାସିଯିବ ମେଦିନୀ କି ପାପର ଶୋଣିତେ ?
କେ ଶୁଣିବ ଗୁହାରି ଆମ୍ଭର ?
ତୁମ୍ଭ ପରା ପ୍ରଭୁ ଥାଉଁ-
ଭସ୍ମୀଭୂତ ହେବ ସୁରପୁରୀ ?
ନାରାୟଣ- ଶକ୍ତିହୀନ ମୁହିଁ ଦେବରାଜ !
ମହୀଷା-ମରଣ-ମନ୍ତ୍ର କହୁଛି ମୁଁ ଶୁଣ ।
ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର,
ନିଜେ ମୁହିଁ- ବ୍ରହ୍ମା ଅବା ଶମ୍ଭୁ
କାହାରି ଜଣକ ଶକ୍ତି
ଅସମର୍ଥ ଦଇତ ମାରଣେ ।
ଜଣାକର ଦିଗାମ୍ୱର ମହାଦେବ ପାଶେ ।
ସର୍ବେ ମିଳି ଦିଅ ଶକ୍ତି,
ଶକ୍ତି- ସମ୍ମିଳନେ ଜଳିଉଠୁ ପ୍ରଚଣ୍ଡ ଅନଳ;
ସେ ଅନଳୁ ଜାତ ହେବେ ଜୟା- ବଧିବେ ଅସୁର ।
ମାତୃଗର୍ଭ ଜାତ ଯେହୁ
ଦେବ ଅବା ଗନ୍ଧର୍ବ କିନ୍ନର-
ରମଣି ବା ହେଉ ସେ ପୁରୁଷ
କରେ ତାର ଅବଦ୍ଧ ରାକ୍ଷସ,- ବିଧି- ବରେ ।
ସମ୍ମିଳିତ ଶକ୍ତିବଳେ,
ସର୍ବଶକ୍ତିମୟୀ ଜୟା-
ଘୁଞ୍ଚାଇବେ ବିପଦ- ଦୁର୍ଦ୍ଦିନ ।
ଦେବତାମାନେ- ସାଧୁ,ସାଧୁ, ଦେବ ଚକ୍ରଧର !
ଘେନ ପ୍ରଭୁ ପ୍ରଣତି ଶ୍ରୀପଦେ !
ନାରାୟଣ- ମନୋବାଞ୍ଛା ହେଉ ହେ ସଫଳ ।
ଦେବତାମାନେ- ସକଳ ମଙ୍ଗଳମୟ !
ଶିରପରେ ଝରୁ ତବ କରୁଣାର କଣା ।
(ସମସ୍ତେ ଭୂମିଷ୍ଠ ପ୍ରଣାମ କଲେ)
[ସ୍ୱର୍ଗପୁରୀର ଏକ ଅଂଶର ପଥ- ଗୋଟିଏ ଅପ୍ସରା ତ୍ରସ୍ତ ହୋଇ ପଳାଇ ଆସୁଛି]
ଅପ୍ସରା- ରକ୍ଷାକର, ରକ୍ଷାକର,
ରକ୍ଷାକର କିଏ କାହିଁ ଅଛ ।
ନାରୀର ମହତ୍ତ୍ୱ, ମାନ, ଗୌରବ, ଗରବ,
ସରିଯାଏ ଅସୁର ପୀଡ଼ନେ
ରକ୍ଷାକର, ରକ୍ଷାକର ଶ୍ରୀମଧୁସୂଦନ !
(ନାରଦ ପ୍ରବେଶ)
ନାରଦ- ନାରାୟଣ, ନାରାୟଣ, ନାରାୟଣ ।
ଅପ୍ସରା- ଦେବର୍ଷି ନାରଦ !
ପ୍ରଣାମ ଚରଣେ ! ରକ୍ଷାକର ଦେବ !
ନାରଦ- କି ହୋଇଛି ? କାହିଁକି ଏ ଅଧୀରତା ?
ଅପ୍ସରା- ରକ୍ଷାକର; ଲାଜ, ମାନ ବୁଡ଼ିଲା ନାରୀର ।
ଯାଇଥିଲି ସ୍ୱର୍ଗଗଙ୍ଗାତୀରେ
ଜଳମଧ୍ୟେ ପ୍ରବେଶିଛି-
ଝଡ଼ପରି ରାକ୍ଷସ ଦୁଇଟା
ଆସି ମୋତେ କଲେ ଆକ୍ରମଣ ।
ଅସମ୍ଭାଳ କେଶ ବାସ; ତ୍ରସ୍ତେ
ଜଳମଧ୍ୟୁ ଆସିଛି ପଳାଇ
ପଛେ ପଛେ ଗୋଡ଼ାଇଲେ ଧରିବାକୁ ମୋତେ ।
ସୌଭାଗ୍ୟକୁ ମୋର-
କନ୍ଦଳ ଲଗିଲା ଦୁଇ ରାକ୍ଷସ ମଧ୍ୟରେ;
କାହାର ମୁଁ ହେବି ବୋଲି
ଅଙ୍କବିଳାସିନୀ;
ପଳାଇ ମୁଁ ଆସିଅଛି ସେହି ଅବସରେ ।
କାହିଁ ଯିବି ?
ଆଶ୍ରା ଦିଅ ଦେବଋଷି ! ବୁଡ଼େ ନାରୀଧର୍ମ ।
ନାରଦ- ଆୟତ୍ତ ନାହିଁ ତ ମୋର
ଦେବାକୁ ଆଶ୍ରୟ ।
ମଦ୍ୟ, ମାସଂ, ନାରୀ, ସୁରା ଘେନି
ଉଛୁଳୁଛି ସ୍ୱର୍ଗପୁରୀ ଏବେ ।
ତ୍ରାହି ରବ ଶୁଭେ ଚଉଦିଗେ ।
ପ୍ରବଳପ୍ରତାପୀ ମହୀଷା ଅସୁର, ରାଜା ।
ଦେବେ ଯେବେ ନ ବୁଝିଲେ,
ଦାନବେ ବୁଝିବେ କାହୁଁ ନାରୀର ମହତ୍ତ୍ୱ ?
ମନେହୁଏ ମୋର- ସେଥିଲାଗି
ବିଧାତାର ଏ ବିଧାନ ଆଜି ।
ଯାଅ ତୁମ୍ଭେ କୈଳାଶ ପର୍ବତେ,
ଶକ୍ତିର ଆଶ୍ରୟ ନିଅ ।
ସେହି ଏକା ଭରସା ଏକାଳେ ।
ଯାଅ ତ୍ୱରା, ନିରାପଦ ନୁହେଁ ଏହି ପଥ ।
ଅପ୍ସରା- ଦେବଋଷି,
ପୁରୁଷ ଆପଣ !
ଶକ୍ତି ନାହିଁ ରଖିବାକୁ ଅବଳାର ମାନ ?
ତେବେ କିମ୍ପା ମିଛେ ଅଭିମାନ ?
କାହିଁକି ବଡ଼ାଇ କର ?
ବୃଥା ଅଧିକାର ସିନା-
ନାରୀ ପରେ କରଇ ପୁରୁଷ ?
ସାଧ୍ୟ ନାହିଁ, ଶକ୍ତି ନାହିଁ,
ନୁହେଁ ସମରଥ
ରଖିବାକୁ ଛାର ନାରୀର ମହତ୍ତ୍ୱ ?
ଧିକ୍, ଧିକ୍ ପୁରୁଷ- ଜନମେ ।
ନାରଦ- ଏ ଧିକ୍କାର କୁସୁମ- ଚନ୍ଦନ ।
ନାରୀକଣ୍ଠେ ଏ ବଚନ
ଅମୃତ ଢ଼ାଳଇ ସତେ-
ଅସମର୍ଥ ପୁରୁଷର କାନେ ।
ଯାଅ ଲୋ ରୂପସି !
ପାର ଯଦି କର ଆତ୍ମରକ୍ଷା
କୈଳାସ କନ୍ଦରେ,
ଶକ୍ତିମୟୀ ନାରୀର ଶରଣେ ।
ଅସମର୍ଥ ପୁରୁଷ ଲୋ !
ରଖିବାକୁ ନାରୀର ମର୍ଯ୍ୟାଦା ।
ଶକ୍ତିହୀନ ନୋହିଥିଲେ ପୁରୁଷ କି ଆଜି
ଖଟିଥାନ୍ତା ଦାସପଣେ ଅସୁର ପୟରେ ?
ଯାଅ, ବିଳମ୍ବ ନ କର,
ନିକଟ ହେବେଣି ଆସି ଦାନବ ସଇନ ।
(ଅପ୍ସରା ଶୀଘ୍ର ଚାଲିଗଲା)
ନାରଦ- (ହସି ହସି)
ପୂର୍ଣ୍ଣ ମନୋରଥ ।
ଆଉ କି ଭାବନା ?
ଲୁଣ୍ଠନ, ପିଡ଼ନ ତୁଲେ ଶୋଷଣ, ମାରଣ
ଚୂଡ଼ାନ୍ତ ହୋଇଛି ।
ବାକି ଥିଲା-
ନାରୀ ନିର୍ଯ୍ୟାତନା;
ଶକ୍ତିର ତାଡ଼ନା,
ଦେବୀର ଅବମାନନା ।
ନାରାୟଣ !
ଆହୁରି କି ବାକି ଅଛି ପ୍ରଳୟ ସଙ୍କଟ ?
(ଗାଇ ଗାଇ ଅଗ୍ରସର ହେଲେ)
ଜୟତୁ- ଜୟ ପାପ- ନିସୂଦନ-
ମଦନ- ମଦ- ମଥନ, ଜୟତୁ ।
ନାରାୟଣ, ନାଗାସନ ଫୁଲ୍ଲକଞ୍ଜଜିତ ଚରଣ,
କୋଟିଚନ୍ଦ୍ର ତପନ କିରଣ ଦଳିତ, କଳିତ ଅଙ୍ଗବରଣ ।
ଶ୍ୟାମଳ ଘନଶ୍ୟାମ ମୂରତି, ଦୀନବନ୍ଧୁ ଅମଳ କୀରତି
ଘୋଷେ ଜଗତ ଦିବସରାତି; ସୁରନର ମୁନିଜନ ବନ୍ଦନ
ଜୟତୁ-
(ଦୁଇଟି ଦାନବ ସୈନ୍ୟ ଉପସ୍ଥିତ ହେଲେ)
ପ୍ରଥମ- କିଏ ତୁମେ ?
ଦ୍ୱିତୀୟ- କୋଉଠିକି ଯାଉଚ ?
ପ୍ରଥମ- ତୁମ ଘର ସ୍ୱର୍ଗରେ ତ ?
ଦ୍ୱିତୀୟ- ଆଚ୍ଛା, ଅପ୍ସରାମାନେ କୋଉଠି ଥାଆନ୍ତି ଜାଣ ?
ପ୍ରଥମ- ତୁମର ଭଲ ଅପ୍ସରା ଅଛନ୍ତି ?
ଦିତୀୟ- ଆରେ, ରହ ନା; ମୁଁ ଗୋଟେ କଥା ପଚାରିବି ?
ପ୍ରଥମ- କି ? ମୋ ପଚାରିବା କଥାଟା ଆଗେ କହନ୍ତୁ ।
ଦ୍ୱିତୀୟ- ରହ, ଆଗେ ବୁଝେଁ, ଅପ୍ସରାମାନଙ୍କ ଘର କୋଉଠି !
ପ୍ରଥମ- ଆରେ, ଘରରୁ କି ଖାଇବୁ ? ତାଙ୍କର କଣ ପୁଞ୍ଜେ ପାଞ୍ଚଟା ନ ଥିବେ ? ସ୍ୱର୍ଗରେ ସବୁ ଦେବତାଙ୍କର ଗୋଟାକେତେ ଥାଆନ୍ତି । ଆଗେ ବୁଝ୍ ସେ ଦେବତା କି ନୁହଁ ।
ନାରଦ- ଚିର-କୁମାର ମୁଁ-ନାରଦ । ଅପ୍ସରାମାନଙ୍କ ସହିତ ମୋର ଜଣାଶୁଣା ନାହିଁ ।
ପ୍ରଥମ- ଓ, ତୁମେ ନାରଦ ?
ଦ୍ୱିତୀୟ- ତୁମେ ତ ତିନିପୁର କଥା ଜାଣ ?
ପ୍ରଥମ- ତୁମେ ପରା କୁଆଡ଼େ ସର୍ବଜ୍ଞ ? ଦେଖିବଟି ମୋ ହାତଟା ।
ଦ୍ୱିତୀୟ- (ପ୍ରଥମର ହାତ ଉପରେ ନିଜ ହାତ ରଖି) ଆଗେ ମୋ ହାତଟା- ମୋ ହାତଟା ।
ପ୍ରଥମ- (ଦ୍ୱିତୀୟର ହାତ ଛଡ଼ାଇ ଦେଇ) ଯା, ଯା; ଆଗେ- ୟା ହାତ ? ମୋ ହାତ ଦେଖିବଟି ।
ଦ୍ୱିତୀୟ- (ଛୁରୀ କାଢ଼ି) ହୁଁ ? ତୋ ହାତ ! ଆଚ୍ଛା ! କେମିତି ତୋ ହାତ ଆଗେ ଦେଖିବେ- ଦେଖିବି । ଖବରଦାର୍ ନାରଦ ମୁନି ! ମୋ ହାତ ଆଗେ ନ ଦେଖି- ତା ହାତ ଦେଖିଲେ- ଜୀବନର ଆଶାଟି ଛାଡ଼ିଦେଇ ଦେଖୁଥା ।
ନାରଦ- କାହିଁକି ବିବାଦ ? ମୁଁ ଦୁଇଜଣଙ୍କ ହାତ ଏକସମୟରେ ଦେଖିପାରିବି । ଦେଖାଅ ।
ପ୍ରଥମ- ହଁ, ଭଲ କଥା, ଦେଖ ।
ଦ୍ୱିତୀୟ- ସେଇଆ ହଉ । (ଦୁହେଁ ହାତ ଦେଖାଇଲେ)
ନାରଦ- ଦୁହେଁ ମହାବୀର । ତୁମେ ମହାବୀର ମହିଷାସୁରଙ୍କ ସେନା ?
ପ୍ରଥମ- ହଁ, ଠିକ୍ କହିଚ ।
ନାରଦ- ଦୁହେଁ ଏକା କାମରେ କୁଆଡ଼େ ବାହାରିଚ ।
ଦ୍ୱିତୀୟ- ଆରେ ରେ ! ସତେ ତ । ଭଲ ମନେପଡ଼ିଲା ।
ନାରଦ- ଜଣେ ସୁନ୍ଦରୀ ସ୍ତ୍ରୀ ତୁମକୁ ଠକିଦେଇ ପଳେଇଚି ବୋଧହୁଏ ।
ପ୍ରଥମ- ହଁ । ହଇରେ ! ୟେ ତ କଅଣ ସବୁ ଜାଣନ୍ତି ।
ଦ୍ୱିତୀୟ- ଜାଣିବେ ନାଇଁ ? ସର୍ବଜ୍ଞଟି ! ମିଛରେ କଅଣ ଆଉ ସେ ନାରଦ ମୁନି !
ନାରଦ- ଗଙ୍ଗାକୂଳରେ ସେ ପଳେଇଚି । ସେଠି ଅନ୍ୟ କେହି ଜାଣିବେ ବୋଲି ଚାଲିଗଲେ ସେ । ବେଗେ ଯାଅ । (ଆଖି ମୁଦି) ପୁଣି ଯାଇ ସେ ଗଙ୍ଗାରେ ସ୍ନାନ କରୁଚି ।
ପ୍ରଥମ- ଗଲେ ଦେଖାପାଇବୁଁ ତ ?
ନାରଦ- ବେଗେ ନ ଗଲେ, ସେ ଚାଲିଯିବ । ପ୍ରଥମେ ଯେ ତା ଆଖିଆଗରେ ପଡ଼ିବ, ସେ ତାକୁଇ ଭଲ ପାଇବ । ସେ ହେବ ତାହାରି । ଆଉ କିଛି ବୁଝିବାକୁ ଅଛି ?
ଦ୍ୱିତୀୟ- ଆଉ ? ନା, ନା ।
ପ୍ରଥମ- (୨ୟ କୁ ଟାଣି ଧରି) ଓଃ- ଭାରି ସିଆଣିଆଁ, ନା ? ମତେ ଟପିକରି ଆରେ ପଳାଇବୁ ? ଆଚ୍ଛା ! (୨ୟକୁ ପଛକୁ ଠେଲିଦେଇ ପଳାୟନ)
ନାରଦ- (ହସି ହସି)
(ଗାଇ ଗାଇ ପ୍ରସ୍ଥାନ)
(ମହୀଷାସୁରର ଦରବାର କକ୍ଷ- ବନ୍ଦୀ ଓ ବନ୍ଦିନୀଗଣ ବନ୍ଦନା ଗାଉଥିଲେ)
ରକ୍ଷ- କୁଳ- ପ୍ରଦୀପ ଜୟ ମହୀଷ ଜୟ ଜୟ ହେ
ତିନିଭୁବନବିଜୟୀ ବୀର ଦେବଜୟୀ ଜୟ ହେ ।୦।
ଚନ୍ଦ୍ର, ରବି, ଇନ୍ଦ୍ର, ଯମ
କିଙ୍କର ଯା ଦେବଗଣ-
ପବନ ଯାର ପୁରେ ବିହରେ ଧୀରେ କରି ଭୟ ହେ ।
ମୃତ୍ୟୁଜୟୀ ଦୈତ୍ୟପତି
ଘୋଷେ ଯଶ ତିନି ଜଗତି
ବାହୁବଳେ ସ୍ୱର୍ଗ ନିତି ମାନେ ପରାଜୟ ହେ ।୧।
(ମହୀଷାସୁର ପ୍ରବେଶ କରି ବାରଣ କଲେ)
ମହିଷା- ବନ୍ଦ କର,
ବନ୍ଦ କର ଯଶୋଗାନ- ଜୟଗୀତି ।
ଘୃଣ୍ୟ ଚାଟୁକାରଗଣ !
ମନ୍ତ୍ରୀ- କ୍ଷମା ହେଉ ରକ୍ଷକୁଳପତି !
ବିଧାତାର ବରେ
ପ୍ରଭୁ ଆଜି ତ୍ରିଭୁବନଜୟୀ-
ଦିଶେ ଦିଶେ ଶୁଭେ ଜୟଗାନ ।
ଦେବଗଣ ପରାଜିତ ।
ପ୍ରଭୁ ଆଜି ଅମରାର ରାଜା-
ତଥାପି-
ମହିଷା- (ବାଧା ଦେଇ) ମୂର୍ଖ, ମୂର୍ଖ ଯେତେ ସ୍ତାବକମଣ୍ଡଳୀ ।
ଅମରାର ରାଜା ?
ସତ୍ୟ, ମୁହିଁ ତ୍ରିଲୋକବିଜୟୀ;
ତର୍ଜନୀ ଚାଳନେ ମୋର
ସୁର, ନାଗ, ଗନ୍ଧର୍ବ, କିନ୍ନର ଆଦି
ସସାଗରା ଧରଣୀର ଶ୍ରେଷ୍ଠତମ ବୀର ଯେ ବା
ଭୟତ୍ରସ୍ତ ସର୍ବେ ।
ଜାଣେ, ଜାଣେ ମୁହିଁ-
ସୂର୍ଯ୍ୟ, ଚନ୍ଦ୍ର, ଦେବତା ସହିତେ
ସ୍ୱର୍ଗର ମଘବା ନିଜେ ପଦାନତ ମୋର ।
ତଥାପି,- ହୋଇ ମୁଁ ସ୍ୱର୍ଗର ରାଜା
ଇନ୍ଦ୍ରପୁରେ-
ପରିପୂର୍ଣ୍ଣ ଇନ୍ଦ୍ରତ୍ୱର ନୁହେଁ ଅଧିକାରୀ !
ମନ୍ତ୍ରୀ- ପ୍ରଭୁ, ଅଛି କିବା ବାଧା ?
ଦିଅନ୍ତୁ ଆଦେଶ-
ଅବିଳମ୍ବେ ଦୂର କରେଁ ବାଧାବିଘ୍ନ ଯେତେ !
ମହିଷା- ହାଃ ହାଃ, ହାଃ ।
କିଏ ସେ ଦୁର୍ମତି କହ ଅଛି ତ୍ରିଭୁବନେ
ମହିଷାର ଅଗ୍ରଗତି ରୋଧି,
ବାଧାବିଘ୍ନ କରିବ ସର୍ଜନା-
ଜୀବନ ମୂରୁଛି ?
ଭୀରୁ ତୁମେ-
ସ୍ତୁତିଗାନ କର ତେଣୁ ମୋର ।
ମହିଷର ଯଶୋଗାନ; ଡରେ ଯଥା-
ଗାଉଛି ନୀଳିମାଘେରା ଅନନ୍ତ ଆକାଶ,
ସପ୍ତସିନ୍ଧୁ, ଭୂଧର, ପ୍ରାନ୍ତର,
ଭୂତ ଚରାଚର ଯେତେ ।
ନାହିଁ ଶ୍ରଦ୍ଧା- ନାହିଁ ଭକ୍ତି- ନାହିଁ କିନ୍ତୁ ମମତାର ଗନ୍ଧ ।
ସଭୟେ ଗାଉଛ ସର୍ବେ ମହୀଷାର ଜୟ !
ବନ୍ଦୀଗଣ- (ଯନ୍ତ୍ରଚାଳିତ ପରି ପାଟିରୁ ସେମାନଙ୍କର ବାହାରି ପଡ଼ିଲା)- ଜୟ !
ମହିଷା- ପୁଣି ! (ସମସ୍ତେ ସ୍ତବ୍ଧ ହେଲେ)
ମନ୍ତ୍ରୀ- କ୍ଷମା ହେଉ ରକ୍ଷପତି !
ଦାନବର କୁଳେ ପ୍ରଭୁ ମାଣିକ୍ୟର ଜ୍ୟୋତି,
ଚିରଦିନ ଲୋକନେତ୍ରେ
ଅଧମ, ପତିତରୂପେ ଲାଞ୍ଛିତ, ଘୃଣିତ
ଏହି ଦୁର୍ଦ୍ଦମ ରାକ୍ଷସଜାତି-
ପ୍ରଭୁଙ୍କର ଶୌର୍ଯ୍ୟ ଆଜି,
ଦେବ-ଜୟୀ ଗୌରବର ଅଧିକାରୀ ସିନା !
ତେଣୁ ଗୁଣ- ମୁଗ୍ଧ
ଅନ୍ତରଙ୍ଗ ଅନୁଚର ଯେତେ
ଆନନ୍ଦ ଉଦ୍ବେଳ ଚିତ୍ତେ-
ଗାଉଛନ୍ତି ଜୟଗାନ ତବ;
ନକର ବାରଣ ପ୍ରଭୁ !
ମହିଷା- ବିଚିତ୍ର ଏ ଯୁକ୍ତି !
ଅନ୍ତରଙ୍ଗ ମୋର ବୋଲି
ଗର୍ବ ଯାର ମନେ-
ଅନ୍ତରର ପରିଚୟ ପାଇନାହିଁ ମୋର ।
ଶୁଣ ମନ୍ତ୍ରୀ ! କହେ ସ୍ପଷ୍ଟ କଥା-
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଜିଣିଛି, ସତ୍ୟ ।
କରଗତ ମୋର-
ବିପୁଳ ଐଶ୍ୱର୍ଯ୍ୟ ସଙ୍ଗେ ଅଖଣ୍ଡ ସମ୍ମାନ;
କିନ୍ତୁ ସ୍ୱର୍ଗରାଣୀ ଶଚୀ-
ଅଦ୍ୟାପି ସେ ନ ହୋଇଛି ଅଙ୍କଲକ୍ଷ୍ମୀ ମୋର ।
କିବା ସେ ଇନ୍ଦ୍ରତ୍ୱ ତେବେ-
ଇନ୍ଦ୍ରର ଘରଣୀ ଯଦି ନାହିଁ ପୁରେ ମୋର ?
ମନ୍ତ୍ରୀ- ଏଥିଲାଗି କିବା ଚିନ୍ତା ?
ଅମିତ ବିକ୍ରମେ ତବ ପଦାନତ
ଦେବତା- ମଣ୍ଡଳୀ,
ଶଚୀ- ପତି ଇନ୍ଦ୍ର- ତବ ଦାସ ।
ଦାସପତ୍ନୀ ଶଚୀ ଲାଗି ବିଚଳିତ ଏତେ ?
ଦିଅନ୍ତୁ ଆଦେଶ-
ଅବିଳମ୍ବେ କରି ମୁଁ ବନ୍ଦିନୀ
ଭେଟିବି ଛାମୁରେ-
ସୁରେନ୍ଦ୍ର ଘରଣୀ ଶଚୀ;- ସ୍ୱର୍ଗର ଗୌରବ ।
ପ୍ରଥମ ପରିଷଦ- ଛାର ନାରୀଲାଗି
ଏତେ ଚିନ୍ତା, ଏତେ ଆୟୋଜନ ?
ଚରଣର ଦାସ ପରା ସ୍ୱର୍ଗର ମଘବା ?
କର ହେ ଆଦେଶ-
ଭେଟୁ ଆଣି ଉପହାରରୂପେ
ଶଚୀରେ ସେ, ରକ୍ଷରାଜ ପଦେ ।
ଦ୍ୱିତୀୟ-ଶଚୀ-ନାରୀ,-
ସ୍ୱଭାବରେ ଅଧିକାର ଐଶ୍ୱର୍ଯ୍ୟର ବଶ ।
ଇନ୍ଦ୍ରପାଶେ କିସ ଅଛି ଆଉ ?
ରକ୍ଷରାଜ ମନେ ଶଚୀ ପାଇଅଛି ସ୍ଥାନ
ଏହାଠାରୁ ବଳି, ତାର ଭାଗ୍ୟ ଆଉ ଅଛି ?
ଶୁଣିଲେ ସେ, ମୋ ବିଚାରେ-
ଆପେ ଆପେ ଧରାଦେବ ଆସି ।
ମହୀଷା- ଏଥିପାଇଁ କହିଥିଲି-
ମୂର୍ଖ ଯେତେ ସ୍ତାବକମଣ୍ଡଳୀ ।
ସମ୍ମୁଖେ କେବଳ-
ଡରେ ମୋର, ଗାଅ ଯଶଗୀତି ।
ଅଗଣିତ ସେନା, ସେନାପତି, ଚର-
କେହି ଦେଇ ନ ପାରିଲେ ଶଚୀର ସନ୍ଧାନ !
ମନ୍ତ୍ରୀ- ଦୂର୍ବଳ- ଅବଳା,
ଧନ, ମାନ, ସ୍ୱର୍ଗସିଂହାସନ-
ହରାଇ ସକଳ-
ଅପମାନେ ଆତ୍ମହତ୍ୟା ନୁହେଁ ଅସମ୍ଭବ ।
ବିଷପାନେ ଅବା-
ମହିଷା- ତୁନି ହୁଅ ମହାମୂର୍ଖ !
ବୁଦ୍ଧିଭ୍ରଂଶ ନୋହିଲେ କି କେହି
କରେ କେବେ ଅମରାର ମରଣ ଆଶଙ୍କା ?
ଶଚୀ ନିଶ୍ଚେଁ ଲୁଚିଅଛି କାହିଁ ।
ଅକର୍ମଣ୍ୟ ଦାନବର ଦଳ;
ଖାଲି ଚାଟୁକାରପଣେ ପଟୁ ସର୍ବେ ।
ଆଉ ତୁମ୍ଭେ, ମନ୍ତ୍ରୀ !
ତୁମ୍ଭେ ଅଗ୍ରଣୀ ତାଙ୍କର ।
କହିଲି ମୁଁ-
ଦେବଗଣେ କର ଉତ୍ପୀଡ଼ନ;
ଶଚୀ ଠାବ ସହଜେ ମିଳିବ ।
ମନ୍ତ୍ରୀ- ହେଉଛି ମଣିମା !
ଘରେ ଘରେ, ଯହିଁ ତହିଁ
ଅବିଚାରେ ଅସୁର ସଇନ
ପଶୁଛନ୍ତି ଝାସି ।
ଦେବନାରୀ, ଅପ୍ସରା- ମଣ୍ଡଳୀ
କନ୍ୟା ଅବା ବଧୂ-
ସର୍ବେ ଆଜି ଖଡ଼୍ଗେ ଶାସିତ ।
ମହିଷା- (ହସି) ତଥାପି, ଯଥେଷ୍ଟ ନୁହେ ।
ଶାଣିତ ଛୁରିକା-
ଭୁଲି ନରନାରୀ, ଶିଶୁ, ବୃଦ୍ଧଭେଦ
ଫେରୁ ଅହୋରାତ୍ର ।
ହାହାକାର ପଡ଼ୁ ସ୍ୱର୍ଗପୁରେ ।
ମାତା ଆଗେ କର ଶିଶୁହତ୍ୟା,
ଦେବତାର ନାରୀ ହେଉ ରାକ୍ଷସଘରଣୀ;-
ଦେବୀ ବୋଲି ଗର୍ବ ଅଛି ଯାର ।
ଦଳିଦିଅ ଦେବତାର ଜାତି-
ଯୁଗ- ଯୁଗ ଧରି ଯଥା
ମଥା ଟେକି ନ ପାରିବେ ଆଉ ।
ଦେଖିବି ମୁଁ କେତେ ଦିନ ରହିବେ ସମ୍ଭାଳି,
ଦେବଗର୍ବ ଘେନି ।
ପ୍ରଥମ- ଆଉ ଏକ ନିବେଦନ ମୋର ।
ସତ୍ୱର ଆଦେଶ ହେଉ ଦକ୍ଷକୁଳନାଥ !
ଯହିଁ ଥାଉ ଶଚୀ-
ଇନ୍ଦ୍ର ଆଣି ସମର୍ପଣ କରନ୍ତୁ ଚରଣେ ।
ଇନ୍ଦ୍ରାସନେ ବିଜେ ଆଜି ଦାନବ-ତପନ
ଶଚୀ ଘେନି ବାମେ, ହେଉ ରାଜଅଭିଶେକ ।
ଦ୍ୱିତୀୟ- କାହିଁକି ବା ଇନ୍ଦ୍ର କରେ ଶଚୀଠାରେ ଆଶା ?
ସେତ ପଥର କଙ୍କାଳ ।
ଶଚୀ,- ରୂପବତୀ ନାରୀ;-
ଚୀର ବୀରଭୋଗ୍ୟା ।
ବାନରକଣ୍ଠରେ ମୁକ୍ତା
ଅସୁନ୍ଦର ସିନା !
ମହୀଷା- କାହିଁ ଥିବ ଇନ୍ଦ୍ର ଏତେବେଳେ ?
ଦ୍ୱିତୀୟ- ଯହିଁ ତହିଁ ଥାଉ-
ଧରି ଆଜି ମୁଁ ଆଣିବି ।
ପ୍ରଭୁର ଆଦେଶେ
ଇନ୍ଦ୍ର କିବା ଛାର ?
ସ୍ୱୟଂ ଧାତା ନ ପାରିବେ ଲୁଚି ।
ଆଦେଶ- ମଣିମା ! (କରଯୋଡ଼ି ରହିଲା)
ମହୀଷା- ସହଜେ ସେ ନ ଆସିଲେ
ଶୃଙ୍ଖଳିତ କରି ଆଣ ବଳେ ।
ଯାଅ ।
ପ୍ରଥମ- ଆଉ, ବାରଣ ଯଦ୍ୟପି କରେ
ଦେବାକୁ ଶଚୀରେ-
ଏହି ରାଜ- ସଭାତଳେ
ଶତ ବେତ୍ରାଘାତ ନିତି ଶାସ୍ତି ହେଉ ତାର ।
(ନାରଦ ପ୍ରବେଶ)
ନାରଦ- ନାରାୟଣ, ନାରାୟଣ !
ମହୀଷା- ଆସନ୍ତୁ, ଆସନ୍ତୁ !
ଭଲବେଳେ ଆସିଛନ୍ତି ଆଜି ।
ପ୍ରଣାମ ନାରଦମୂନେ !
(ଆସନ ଦେଖାଇଲେ)
ନାରଦ- (ବସି) କି ଆଶିଷ ଦେବି ଆଉ ?
ବିଧାତାର ବରେ ତୁମ୍ଭେ
ଭୁବନବିଜୟୀ,- ମୃତ୍ୟୁଜୟୀ ।
ପିତାଙ୍କର ଆଶିର୍ବାଦ ପରେ
ଆଶୀର୍ବାଦ ନିରର୍ଥକ ମୋର ।
ତ୍ରିଭୁବନେ ଉଡ଼େ ତବ ବିଜୟକେତନ ।
ଦେବ, ରକ୍ଷ, ନର-
ଦାସପଣେ ଖଟନ୍ତି ପୟରେ ।
ଚରାଚର ସ୍ତମ୍ଭିତ ନୟନେ ହେରେ
ଅଭ୍ୟୁଦୟ ତବ ।
ନାହିଁ ତ ଅଭାବ କିଛି-
ପୂର୍ଣ୍ଣତବ ଅଭିଳାଷ ଏବେ ?
ମହୀଷା- ସର୍ବଜ୍ଞ ଋଷି ଆପଣ,-
ତଥାପି କହନ୍ତି ମୋର ଅଭିଳାଷ ପୂର୍ଣ୍ଣ ?
ନାରଦ- କି ଅଭାବ ଆଉ ?
ମହୀଷା- ନ ପାରିଲେ ଜାଣି ହୃଦଗତେ-
ସର୍ବଜ୍ଞ ନାରଦ ?
କହନ୍ତୁ ତ ଭଲା,
କାହା ଲାଗି-
ସ୍ୱର୍ଗପୁରରେ ଇନ୍ଦ୍ରତ୍ୱର ପରମ ପ୍ରତିଷ୍ଠା ?
ନାରଦ- ବିଷମ ଏ ପ୍ରଶ୍ନ ରକ୍ଷପତି !
(ଭାବି) ଅନୁମାନେ ମୁହିଁ-
ନନ୍ଦନକାନନ;-
ଯାହା ସ୍ୱର୍ଗର ଐଶ୍ୱର୍ଯ୍ୟ,
ଅବା ଦେବ- ପୁଷ୍ପ ସ୍ୱର୍ଣ୍ଣ ପାରିଜାତ ।
ମହୀଷା- ନା ନା, ଅନୁମାନ ନୁହେଁ ସତ୍ୟ ।
ନୁହେ ପାରିଜାତ- କୁବେର ଐଶ୍ୱର୍ଯ୍ୟ-
ଅବା ନନ୍ଦନକାନନ ।
ସ୍ୱର୍ଗଲୋକେ ଦେବତାର ଗର୍ବ-
ଶୋଭାମୟୀ ଇନ୍ଦ୍ରର ଘରଣୀ ଶଚୀ;-
ଯାହା ବିନେ ତୁଚ୍ଛ ଇନ୍ଦ୍ରପଦ ।
ନାରଦ- ନ ଜାଣେ କି ଲାଗି
ଦେବଜୟୀ ରକ୍ଷପତି
ବିଚଳିତ ଛାର ଏକ ନାରୀର କାରଣେ ।
ସ୍ୱର୍ଗ, ମର୍ତ୍ତ୍ୟ, ରସାତଳ ଅଧିକାରୀ ତୁମ୍ଭେ,
ଇଚ୍ଛାକଲେ ଲୋଟିବେ ଚରଣେ ଆସି
ସୁନ୍ଦରୀ କାମିନୀ କୋଟି;-
ସୁରେନ୍ଦ୍ରାଣୀ ନୁହେଁ ଯାର ପଦନଖଯୋଗ୍ୟା ।
ମହୀଷା- ଜାଣେ, ଜାଣେ ଋଷି !
ଅଛନ୍ତି ମୋ ପୁରେ ବହୁ ସୁନ୍ଦର କାମିନୀ-
କାମ- କାନ୍ତା ଲଜ୍ଜାଭରେ
ନୁଆଇଁବ ମଥା ଯାର ପଦେ ।
କିନ୍ତୁ ଶଚୀ !-
ନା- ନା- କହି କିବା ଲାଭ ?
ଆଜନମ ବ୍ରହ୍ମଚାରୀ-
ଇଷ୍ଟଧ୍ୟାନେ ରତ ଯେହୁ ସାତ୍ତ୍ୱିକ ପୁରୁଷ ।
ସେ କାହୁଁ ବୁଝିବେ ସତେ
ମନ କଥା ମୋର ?
କହି କି ପାରିବେ ?-
କୋଟିଏ କୁମୁଦ ଫୁଟେ
ଯହିଁ ତହିଁ ସରୋବରଜଳେ,
ତେଜି କିନ୍ତୁ ତାକୁ
ମରାଳ କାହିଁକି ଧାଏଁ
ବହୁଦୂରେ- ମାନସରୋବରେ ?
ନାରଦ- ଅତି ସତ୍ୟ ଏହା ।
କିନ୍ତୁ ଶଚୀର ସନ୍ଧାନ-
ସହଜ ସମ୍ଭବ ନୁହେଁ ।
ମହୀଷା- ଇନ୍ଦ୍ର ନିଶ୍ଚେଁ ଜାଣିଥିବେ
କାହିଁ ଛନ୍ତି ଶଚୀ ।
ସହଜରେ ସମର୍ପଣ-
ନକଲେ ସେ ଆଣି,
ଦଣ୍ଡିବି ବାସବେ-
ଯମରାଜ କଳ୍ପନାରେ ନ ଥିବ ଯା ଭାବି ।
ଜାଣନ୍ତି କି କାହିଁ ଥିବେ ଇନ୍ଦ୍ର ଏତେବେଳେ ?
ନାରଦ- ରକ୍ଷରାଜ !
ପିତାଙ୍କର ଆଶୀର୍ବାଦ ଶିରପରେ ତବ;
ତେଣୁ ଚିର ମିତ୍ରରୂପେ
ମଙ୍ଗଳକାମନା କରେଁ ସଦା ।
ଶୁଣି ଏକ ଦୁଃସମ୍ବାଦ
ଆସିଲି ମୁଁ ଧାଇଁ,
ଜଣାଇବି ବୋଲି ।
ମହୀଷା- ଦୁଃସମ୍ବାଦ ! (ହସି)
ଅସମ୍ଭବ କହିଲେ ନାରଦ ।
ନାରଦ- ଶୁଣ ରକ୍ଷପତି !
ଦୁର୍ବଳ ବାସବ,
ଯୁଦ୍ଧେ ହାରି, ଅପମାନେ
ଦ୍ୱାରେ ଦ୍ୱାରେ ବୁଲି ପ୍ରତିବିଧାନର ହେତୁ
ସର୍ବଦେବେ ଜଣାଇଲା କାନ୍ଦି;
କିନ୍ତୁ ଭୟଭୀତ ଦେବେ,
ଜଣେ ଜଣେ ବାରଣ କରିଲେ
ଶକ୍ତି-ହୀନ ବୋଲି ।
ଶୁଣିଲି ମୁଁ-
କହିଛନ୍ତି ନାରାୟଣ ସର୍ବଦେବେ ମିଳି,
କରିବାକୁ ସୃଷ୍ଟି
ଏକ ଭୁବନ- ମୋହିନୀ
ସର୍ବାଙ୍ଗସୁନ୍ଦରୀ ନାରୀ ।
ମହୀଷା- ଶଚୀଠାରୁ ରୂପବତୀ ?
ଦେଖିଛନ୍ତି ଆପଣେ ନାରଦ ?
ନାରଦ- ନା-ଦେଖିନାହିଁ, ଶୁଣିଛି ମୁଁ ।
ସର୍ବଦେବତାଙ୍କ ତେଜ ଘେନି
ଜନମ ଲଭିଛି ବାମା-
ରୂପେ ଗୁଣେ ଅତୁଳ ଜଗତେ ।
ପରିଷଦ- ଏତେ ଦିନେ ସୁବୁଦ୍ଧି ଆସିଚି ।
ଦେବତାଏ
ଉପହାରରୂପେ ଭେଟିବାକୁ
ରକ୍ଷରାଜ ପଦେ,
ତୋଷିବାକୁ ଦାନବେନ୍ଦ୍ରେ ମନ;
କରିଛନ୍ତି ପରା ଏ ବିଧାନ !
ନାରଦ- ଉପହାର ନୁହେ,
ନିୟୋଜିତା ରାକ୍ଷସ ନିଧନେ ।
ମହୀଷା- ରାକ୍ଷସ ନିଧନେ ?
ଇନ୍ଦ୍ର, ଯମ, ବରୁଣ,ମରୁତ-
ଦେଖିଛନ୍ତି ମୋର ବଳ ।
ଫେରୁପଲ ସରି ସର୍ବେ
ପଳାଇଲେ ହାରି ।
ନିର୍ଲ୍ଲଜ ପୁରୁଷେ !
ନାରୀ ଛାର ବଇରୀ ମୋହର ?
କଳ୍ପନା ତ ଊଣା ନୁହେଁ !
ନାରଦ- ଜାଣେ,
ହୋଇପାରେ ରୋଦନ ଏହା,
ତଥାପି-
ହିତକାମୀ ମୁହିଁ ରକ୍ଷପତି !
କୁଶଳ ତୁମ୍ଭର କରି ବାଞ୍ଛା-
ବିହିତ ନୁହେଁ କି ମୋର
ସମ୍ବାଦ ପ୍ରଦାନ ?
ମହୀଷା- କୃତଜ୍ଞ ମୁଁ ହେ ନାରଦ !
କିନ୍ତୁ ଅବିବେକ ଦେବେ !
ଏ କି ସୃଷ୍ଟି ଭିଆଣ ତାଙ୍କର ?
ନାରଦ- ବିନାଶ କାଳରେ ବୁଦ୍ଧି ହୁଏ ବିପରୀତ ।
ଶୁଣି ଏ ମନ୍ତ୍ରଣା,
ତତ୍କ୍ଷଣେ ଆସିଛି ମୁହିଁ
ଦେବାକୁ ସଂବାଦ ।
ଜାଣିଲେ ମୋ ଆସିବାର ଏଥି
ଅବିଶ୍ୱାସ କରିବେ ଦେବତା ।
ଆସୁଛି ମୁଁ ରକ୍ଷପତି !
ଥିବ ସାବଧାନ ।
ମହୀଷା- ଆସନ୍ତୁ ନାରଦ ! (ପ୍ରଣାମ କଲେ)
ନାରଦ- ନାରାୟଣ, ନାରାୟଣ ! (ପ୍ରସ୍ଥାନ)
ମହୀଷା- ଶୁଣିଲ ତ ସର୍ବେ ?
ଦୁର୍ବଳକୁ
ସଶଙ୍କିତ, ଆତଙ୍କିତ କରି,
ମିଛେ ବୋଲାନ୍ତି ଦେବତା !
ଶୁଣିଲ ତ ନାରଦ ମୁଖରୁ-
ଯୁଦ୍ଧେ ହାରି,
କାପୁରୁଷ-ଦଳେ
ନାରୀ ଏକ କରିଛନ୍ତି ସୃଷ୍ଟ ।
ପ୍ରବଳ ପ୍ରତାପ
ମହୀଷା ଅସୁର ପୁଣି
ବିନାଶିବ ନାରୀ;
ଅବଳା ବୋଲି- ଯାହାର
ପ୍ରଖ୍ୟାତ ଜଗତେ ?
କହିଲେ ନାରଦ-
ସାବଧାନ ଥିବି ।
ହୀନବଳ ଋଷି;
ସେ କି ଜାଣେ-
କେତେ ବଳବୀର୍ଯ୍ୟ ଧରେ ଏହି ବାହୁ ମୋର ?
ଆଉ ଧନ୍ୟ ସେ ଦେବତା;
ହରି-ହରି ଡରେ ମୋର
ନ ଦେଲେ ଶରଣ,
ଶେଷେ, ପଣତ ଉହାଡ଼େ ତାଙ୍କୁ
ଘୋଡ଼ାଇ ରଖିବ ପରା
ଭୁବନମୋହିନୀ-
ଏକ ନାରୀ !(ଅଟ୍ଟହାସ୍ୟ)
ପଟ୍ଟ ପରିବର୍ତ୍ତନ
(ସୁବିଶାଳ ପର୍ବତଶ୍ରେଣୀ-ତାରି ଭିତରେ ଦିଶୁଛି ଦ୍ୱାର । ସୁଦୂର ଗିରିଶୃଙ୍ଗରେ ଦିଶୁଥିଲା ଶିବପୁରୀର କେତେକାଂଶ । ତରଙ୍ଗିଣୀ ନୃତ୍ୟରତା,- ଶିଙ୍ଘା ଡମ୍ବୁରରୁ ଛନ୍ଦେ ଛନ୍ଦେ । ଦୂରସ୍ଥିତ ଶିବପୁରୀରୁ ଭାସିଆସୁଥିଲା ଉଦାରକଣ୍ଠରେ ମୁନିଋଷିଙ୍କ ସ୍ତବଗାନ । ମହୀଷାସୁରଙ୍କ ରାଣୀ ମେଘମାଳା ପୂଜା-ସାମଗ୍ରୀ ଘେନି, ବିମର୍ଷ ମନରେ ଗୋଟିଏ କରରେ ଠିଆହୋଇ ନୃତ୍ୟ ଦେଖୁଥିଲେ ।
ଶଚୀଦେବୀ ଭିତରଆଡ଼ୁ ସେଇ ଦ୍ୱାରବାଟେ ବାହାରକୁ ଆସିଲେ । ପୂଜାଥାଳୀ ଥୋଇ ଗଳବସ୍ତ୍ରରେ ପ୍ରଣାମ କଲେ- ନୃତ୍ୟ ବିରାମ । ତରଙ୍ଗିଣୀ ନାଚିସାରି ଥାଳୀଟିକି ନେଇ ଚାଲିଗଲା ।)
(ଏତିକିବେଳେ ନାରଦ ଆସିଲେ)
ନାରଦ- ନାରାୟଣ ! ନାରାୟଣ ! ନାରାୟଣ ! (ଶଚୀ ପ୍ରଣାମ କଲେ)
ନାରଦ- କିଏ ? ଇନ୍ଦ୍ରାୟଣୀ ! ଶିବପୁରେ ?
ଶଚୀ- ଇନ୍ଦ୍ରାୟଣୀ କୁଳ, ମାନ ସଂକଟ-ସଙ୍କୁଳ ।
ଦେବଗଣ ତୁଲେ ଇନ୍ଦ୍ର ଆଜି
ଅସୁରର ଦାସ ।
ଦେବତା କି ଅଛି ସ୍ୱର୍ଗେ ଆଉ ?
ଅବଳାର ଲାଜ, ମାନ ବୁଡ଼ୁଛି ଦେବର୍ଷି ।
ଦୁର୍ମତି ରାକ୍ଷସ-
ଶଚୀ ହେବ ଅର୍ଦ୍ଧାଙ୍ଗିନୀ
ଅଭିଳାଷ ତାର ।
ନାହିଁ ଆନ ପରିତ୍ରାଣ
ରଖିବାକୁ ନାରୀର ମହତ୍ତ୍ୱ ।
ଇନ୍ଦ୍ରପୁରୀ ଛାଡ଼ି
ଆସିଥିଲି ଶିବଘରେ
ନିବେଦିବି ବୋଲି ମୋର ବିଷାଦ କାହାଣୀ ।
ଜାଣନ୍ତି ତ ହର ଗଙ୍ଗାଧର
ଚୂଡ଼ାପରେ ବହିଛନ୍ତି ଚନ୍ଦ୍ର;
ନାରୀର ମହତ୍ତ୍ୱ ସିନା
ଜାଣନ୍ତି ମହେଶ ।
ନାରଦ- କି ଆଦେଶ ଦେଲେ ଶିବ ?
ଶଚୀ- ଯୋଗମଗ୍ନ ଯୋଗେଶ୍ୱର ।
ଆସିଲି ମୁଁ ଫେରି;-
ମନକଥା ମନେ ମନେ ବହି ।
ରସାତଳେ ଯାଏ ସ୍ୱର୍ଗ ।
ଅବଳାର ସମ୍ବଳ ସରୁଛି;
ଦେବତାର ବଧୂ ହେବ
ରାକ୍ଷସର ଅଙ୍କଲକ୍ଷ୍ମୀ ଆଜି ?
ପାପଭାରେ ବୁଡ଼ିଯିବ ବିଶ୍ୱ ।
ତହିଁ ପୂର୍ବେ, କହ ହେ ନାରଦ !
ଭୂତ, ପ୍ରେତ ସଙ୍ଗେ କୋଟି କବନ୍ଧ ମତାଇ,
ବଜାଇ ଡମ୍ବରୁ
ପ୍ରଚଣ୍ଡ ରଣ-ତାଣ୍ଡବେ
ଜାଗିବେ କି ନାହିଁ ଭୂତପତି-
ଅନାଚାର କଳୁଷ ନାଶନେ ?
ନହେବ କି ନିଦ୍ରାଭଙ୍ଗ ମହାପ୍ରଳୟର ?
ନାରଦ- ଇଚ୍ଛାମୟ ଇଚ୍ଛାକଥା
କିଏ ବା ଜାଣିବ ?
ବିଦାୟ ଦିଅ ଗୋ ଦେବି !
ଯାଏଁ ଶିବ ଦରଶନେ ।
(ଶଚୀ ପ୍ରଣାମ କଲେ, ନାରଦ ନାରାୟଣ କହି ଚାଲିଗଲେ ଭିତରକୁ-ଶଚୀ କିଛିକ୍ଷଣ ରହିଯାଇ ତରଙ୍ଗିଣୀ ସାଥିରେ ଯିବାକୁ ବାହାରିଲେ, ପଛଆଡ଼ୁ ଡାକିଲେ ମେଘମାଳା)
ମେଘମାଳା- ତୁମେ ସ୍ୱର୍ଗର ରାଣୀ-ଶଚୀ ?
ଶଚୀ- (ଫେରି) କିଏ ତୁମେ ?
କଲ ପରିହାସ ମୋତେ ?
ମେଘମାଳା- କ୍ଷମ ଅପରାଧ ଦେବି !
କରିନାହିଁ ପରିହାସ ମୁହିଁ ।
ଅକପଟେ ଦିଅ ପରିଚୟ
ତୁମ୍ଭେ ଶଚୀ-ସୁରେନ୍ଦ୍ର-ଘରଣୀ ?
ଶଚୀ- ସୁରେନ୍ଦ୍ର-ଘରଣୀ ? ନା, ନା-
କି ସାହସେ କହିବି ମୁଁ ସୁରେନ୍ଦ୍ର-ଘରଣୀ ?
ଲାଜ, କୂଳ, ମାନ ସବୁ ଯାଇଛି ତ ବୁଡ଼ି
ଅତ୍ୟାଚାର, ଅନାଚାର ଛାଇଛି ସ୍ୱରଗ ।
କୃତାନ୍ତ ମହୀଷାସୁର ପାପଦୃଷ୍ଟି ଏଡ଼ି
ଶଚୀ ଆଜି ବୁଲେ ଲୁଚି ବନେ;
ତଥାପି ସେ ବୋଲାଇବ ସୁରେନ୍ଦ୍ର-ଘରଣୀ ?
ନାରୀ ତୁମ୍ଭେ-
ଜାଣିଥିବ ନାରୀର ମହତ୍ତ୍ୱ;
ତଥାପି ଏ ପରିହାସେ ମଣୁଅଛ ସୁଖ ।
କିଏ ତୁମ୍ଭେ ?
ମେଘମାଳା- ପରିଚୟ ?
ଶୁଣିଲେ ମୋ ପରିଚୟ ଦେବି !
ଘୃଣାଭରେ ଫେରାଇବ ମୁଖ ।
ଅତ୍ୟାଚାରେ ଯାର ଆଜି
ସ୍ୱର୍ଗପୁରେ ପଡ଼େ ହାହାକାର,
ସେହି ମହୀଷା-ଅସୁର-ପତ୍ନୀ
ମେଘମାଳା ମୁହିଁ ।
ଶଚୀ- (ଚମକି)ମହୀଷାର ପତ୍ନୀ !
ତୁମେ ମେଘମାଳା ?
ପାପର ପ୍ରଶ୍ରୟ ଲାଗି
ତୁମେ ପରା ବୁଲ ଚରରୂପେ ?
ନରକର ଆବରଣେ
ଦେବୀର ପ୍ରତିମା-ଧନ୍ୟ ନାରୀ !
ପ୍ରଥମ ଦେଖିଲି ।
ମାତୃରୂପେ ତିନିପୁରେ ସମ୍ମାନ ଯାହାର-
ସେ ପୁଣି ପୁରୁଷ ପାଇଁ
ବୁଲି ବୁଲେ ଲାଳସାର ଖାଦ୍ୟ ଆହରଣେ ?
ବିଧାତାର ବିଚିତ୍ର ସର୍ଜ୍ଜନା !
ମେଘମାଳା- ବିଚିତ୍ର ସର୍ଜ୍ଜନା ଦେବି !
କୁସୁମରେ କୀଟ,
ମୃଣାଳେ କଣ୍ଟକ,
ବିଧାତାର ବିଚିତ୍ର ଭିଆଣ ।
ନୋହିଲେ କି
ମାତୃଜାତି-ନିନ୍ଦା ଆଜି
ଭରିଥାନ୍ତା ଶଚୀଦେବୀ ମୂଖେ ?
ଦେବରାଣି !
ଅବିଶ୍ୱାସ ତେଜିମନୁ
ସଖୀରୂପେ - ସେବିକାର ରୂପେ !
ଘେନ ମୋତେ ଦେବି !
ରାକ୍ଷସର ପତ୍ନୀ ମୁହିଁ, ସତ୍ୟ;
କିନ୍ତୁ ନାରୀର ମମତା, ନାରୀର ମହତ୍ୱ,
ନାରୀର ବେଦନା ଘେନି ଜନମ ମୋହର ।
ଗର୍ବ ମୋର,
ମୁହିଁ ମାତୃରୂପା-ନାରୀ ।
ଶଚୀ- ମାୟାବୀ ରାକ୍ଷସ !
ମାୟାବିନୀ ପତ୍ନୀ ତାର
ନୁହେଁ ଅସମ୍ଭବ ।
ଛଳନା, କପଟ, ମାୟା,
ଏ ତ ଅସୁରର ଶ୍ରେଷ୍ଠ ପରିଚୟ ।
ମେଘମାଳା- ତଥାପି କହୁଚି-
ନାରୀ ମୁହିଁ;
ଅବିଶ୍ୱାସ ନ କର ଇନ୍ଦ୍ରାଣି !
ଶଚୀ- ନାରୀ !
କାହିଁ ସେହି ନାରୀର ଗୌରବ ?
ଜାଣନାହିଁ କି ଗୋ,
ଦେବନାରୀ ବିଦିଳିତା ଆଜି
ଅସୁର ଦଳନେ ?
ଜାଣିନାହିଁ -
ପାପୀ ରାକ୍ଷସର ଦଳ
ଘରେ ଘରେ କରୁଛନ୍ତି ଅନାଚାର ସୃଷ୍ଟି ?
ଶୁଣିନାହିଁ, ମହୀଷା ଦାନବ
ବାସନା ପୋଷିଛି ମନେ-
ଦେବେନ୍ଦ୍ରାଣୀ
ହେବ ତାର ଶଯ୍ୟାର ସଙ୍ଗିନୀ ?
ନାରୀ ହୋଇ
ତୁମ୍ଭେ କି ନଜାଣ କିଛି ?
ପୁରୀ ମଧ୍ୟେ ପୂତିଗନ୍ଧ ବାରିନାହିଁ ତୁମ୍ଭେ ?
ମେଘମାଳା- ଜାଣିଛି, ଶୁଣିଛି ସବୁ ।
ବାରଣ ମୋ ବିଷଫଳ ସାର ।
ଅମୃତପାନରେ-
ଅହି ଉଗାରେ ତା ବିଷ ।
ଦାନବର ପତ୍ନୀ ମୁହିଁ ସତ୍ୟ !
ଦାନବେ କୁକର୍ମେ କିନ୍ତୁ
ନୁହେଁ ମୁଁ ଭାଗିନୀ ।
ଶଚୀ- ଏ କି ସତ୍ୟ ?
ଅସମ୍ଭବ ଶୁଣେ-
ତୁମ୍ଭ ମୁଖେ ଦନୁଜ-ରମଣି !
ମେଘମାଳା- ଦନୁଜ-ରମଣୀ-ଦୈବଦୋଷେ ।
କିନ୍ତୁ, ମେଘମାଳା ସ୍ୱଭାବରେ ନାରୀ,-
ରମଣୀ ମହତ୍ତ୍ୱ, ମାନ-ଜାଣିଛି, ବୁଝିଛି ।
ଜୀବନେ ଥାଉଁ ସେ,
ସାଧ୍ୟ କାର ପରଶିବ-
ତବ ତନୁ ସୀମା ?
ଶୁଣ ଗୋ ଇନ୍ଦ୍ରାଣି !
ନାରୀ-ବ୍ୟଥା ନବୁଝିଲେ ନାରୀ-
କି ବୁଝିବ କଠିନ ପୁରୁଷ-
ଗର୍ବ, ଦମ୍ଭ, ଅହଂକାର, ଅଧିକାର, ମଦ,
କୁଚକ୍ର, କୁହେଳି ଘେନି-
ଥାଏ ଯେ ଆନନ୍ଦେ
ଫୁଟାଉ ସେ ପରୁଷତ୍ୱ ତାର ।
ମାତୃଶକ୍ତି ନାରୀ-
ସେ ତ ମମତାର ମୂର୍ତ୍ତି ।
ଶକ୍ତିର ସାଧନା ତାର ଜନମର ଧର୍ମ ।
ଜାଣେ ମୁହିଁ ଯୋଗେଶ୍ୱର ପୁରୁଷପ୍ରଧାନ,
ତେଣୁ ଅବଳାର
କରୁଣ କାକୁତି ଲାଗି
ବଧିର ଶ୍ରବଣ ।
ନୋହିଲେ କି ଯୋଗନିଦ୍ରା ନ ହୁଅନ୍ତା ଭଙ୍ଗ ?
ଆସ ଦେବି !
ଫେରିଚାଲ ପଥର ଦୁଆରୁ ।
ଶକ୍ତିମୟୀ ନାରୀର ସମ୍ବଳ-
ଶକତି କେବଳ ।
ଏ ବିପଦେ- ଏ ଦୁର୍ଦ୍ଦିନେ-
ଶକ୍ତି ଏକା ସାହା ।
ଶଚୀ- କିଏ ତୁମ୍ଭେ ନାରୀ ! ଦେଲ ଶକ୍ତିର ଚେତନା ?
ସତ୍ୟ କୁହ ।
ତୁମେ ନା ଗୋ
ଦୁର୍ଦ୍ଦାନ୍ତ ମହିଷା-ପତ୍ନୀ-
ତୁମେ ନା ରାକ୍ଷସୀ ?
ମେଘମାଳା- ଭୁଲିଯାଅ ଦେବି !
ଶତ ଅପବାଦ ସତ୍ତ୍ୱେ-
ରମଣୀ-ଗୌରବ ଘେନି
ମେଘମାଳା-ନାରୀ ।
ଅବିଶ୍ୱାସ ତେଜି,
ଚଳ ଶକ୍ତିର ମନ୍ଦିରେ ।
ଯୋଗନିଦ୍ରା-ଅଭିଭୂତ
ମହେଶ୍ୱର ଶିବ ଶକ୍ତିହୀନ ଏବେ ।
ଶକ୍ତିନାମେ ଶପଥ କରୁଛି,
ମେଘମାଳା-
ଦେବରାଣୀ- ସଖି-ପରିଚାରୀ ।
ଆସ ଦେବି ! ବିଳମ୍ବ ନ କର ।
(ଆଗରେ ଚାଲିଲେ ବାଟ ଦେଖାଇ; ପଛରେ ପୁତ୍ତଳୀ ପରି ଗଲେ ଶଚୀ)
(ଦୁଇଜଣ ରାକ୍ଷସ ସୈନ୍ୟ ବାଳିକାଟିକୁ ନେଇ ପ୍ରବେଶ କଲେ)
ପ୍ରଥମ- ତୁ ତ ଜଣେ ବିହି-ବିଧାତା ହେଇଗଲୁ ରେ !
ଦ୍ୱିତୀୟ- ଆଉ ? କାନ ଫୁଙ୍କି ଫୁଙ୍କି ଦୁଇଟି ଫୁଙ୍କୁନଳା ସରିଚି ଟି !
ପ୍ରଥମ- ଯାହା ହଉ କଣ୍ଢେଇଟାକୁ ଜୀବନ ତ ଦେଇଦେଲୁ; ଧନ୍ୟ ତୁ ରେ ଭାଇ !
ଦ୍ୱିତୀୟ- ଆରେ, ସେତିକି କହିଲେ କଅଣ ବେଶି ହେଇଗଲା ?- ମୁଣ୍ଡିଆ ମାର୍, ଗୋଡ଼ଧୂଳି ନେ ।
ପ୍ରଥମ- (ତଦ୍ରୁପ କରି) ହଁ ଭାଇ, ଏ ଯୁଦ୍ଧରେ ଯେବେ ମୁଁ ମରେଁ ତୁ ବାକି ତିନିଥର କରି ଜିଆଇଦବୁ । କଣ୍ଢେଇଟାଏ ଟେକି ଆଣିଥିଲେ; ଦେଖିଲାବେଳକୁ ସେ ପୁଣି ଏଡ଼େ ସୁନ୍ଦର ଟୋକୀ !
ଦ୍ୱିତୀୟ- ଆରେ ସେ ଦେବ-କଣ୍ଢେଇଟି ! ଦେଖିବୁ କେମିତି ନାଚିବ ! ନାଚ କଣ୍ଢେଇ ନାଚ ।
(ମୁହଁରେ ଉକୁଟ ଡାକିଲା)
(ପୂର୍ବରୁ ସେହି ବାଳିକା ନାଚିଲା)
(ନୃତ୍ୟ ମଧ୍ୟରେ ପ୍ରଥମ ଦ୍ୱିତୀୟକୁ କୁଣ୍ଢେଇ ଧରି)
ପ୍ରଥମ- ବାଃ, ବାଃ, ଧନ୍ୟ ତୋ ଗୁଣ ! କଣ୍ଢେଇଟାକୁ ଜୀଆଇ, ତାକୁ ପୁଣି ଏତେଜାତିକା ନାଚ ନଚେଇଦେଲୁ ! ତୋ ଗୋଡ଼ଧୂଳି କଅଣ ମ-ମନ ପରା ହେଉଚି ତୋ ଗୋଡ଼ରୁ ଖଣ୍ଡେ ଖଣ୍ଡେ ମୁଣ୍ଡ ଉପରେ ଘିନି ବୁଲନ୍ତି । (ବସି) ଦେ ଭାଇ, ଟିକିଏ ମୁଣ୍ଡରେ ଗୋଡ଼ଟା ହେଲେ ଘଷିଦେ ।
ଦ୍ୱିତୀୟ- ଉଠ୍; ଦେଖ୍, ନାଚ ଦେଖ୍, ଦେବତାଙ୍କ ଗୋସେଇଁବାପ ମୁଁ । ତୁ ମର୍, ଥରେ ମର୍, ଦେଖିବୁ କେମତେ ଜୀଆଇ ଦେବି ।
ପ୍ରଥମ- ଯାହା କହ ଭାଇ, ଦିହରେ ତୋର ଟିକିଏ ଦେହ ଘଷି ହେଇଯାଇଥାଏଁ ରେ, ଯେତେ ହେଲେ ସାଙ୍ଗଟାଏ ତୋର ମୁଁ- ତୋ ଝାଳ ଟୋପାଏ ହେଲେ ଲାଗିଥାଉ ଦେହରେ ମୋର । (କୁଣ୍ଢାଇ ଘଷିହେଲା)
(ବାଳିକା ନାଚୁ ନାଚୁ ନୃତ୍ୟଭଙ୍ଗିରେ ପଳେଇଗଲା)
ଦ୍ୱିତୀୟ- ଆରେ, ଛାଡ଼୍ ଛାଡ଼୍ ଗଲା- ପଳେଇଗଲା ।
ପ୍ରଥମ- ରହ ଭାଇ, ଟୋପେ ଝାଳ ଲାଗୁ ।
ଦ୍ୱିତୀୟ-(ପ୍ରଥମ ସୈନ୍ୟକୁ ଠେଲି) ଆରେ ଦିଅଁ-କଣ୍ଢେଇଟା ପଳେଇଗଲା ମ, ଦେଖ୍ ଦେଖ୍ ଦେଖ୍।
ପ୍ରଥମ- ତୁ ଆଉ ଗୋଟେ କରିଦବୁନି ଯେ- ରହ ଭାଇ, ଏତେ ଦିନକେ ପାଇବି ତତେ । (ଟାଣିଧରିଥାଏ)
ଦ୍ୱିତୀୟ- (ହାତ ଛଡ଼େଇ) ଆରେ, କଣ୍ଢେଇକି ଦେଖ୍ ମ ।
(ଛଡ଼େଇ ହୋଇ ଗୋଡ଼େଇଲା)
ପ୍ରଥମ- ଆରେ ସତେ ରେ, ଧର୍ଧର୍। (ପଳେଇଲା ପଛେ ପଛେ)
(ମହୀଷାସୁରର ପ୍ରାସାଦ । ପାହାଚ ଉପରୁ ଓହ୍ଲାଇ ଆସିଲେ- ରାଣୀ ମେଘମାଳା । ହାତରେ ପୂଜାଥାଳି । ଚଟାଣକୁ ଆସି ମାଳିକୁ ଚାହିଁଲେ; ଏତିକିବେଳେ ସେହି ପଥରେ ଦେଖାଦେଲେ ମହୀଷାସୁର-ରାଣୀଙ୍କୁ ଦେଖି ଠିଆହେଲେ ପାହାଚ ଉପରେ । ରାଣୀ ସଶଙ୍କିତ ଭାବରେ ଚାରି ଆଡ଼କୁ ଚାହିଁ ଚାଲିଯିବାକୁ ଉଦ୍ୟତ ହେଲାବେଳେ-ପଛରୁ ଡାକିଲେ ମହୀଷାସୁର ।)
ମହୀଷା- ମେଘମାଳା !
ମେଘମାଳା-(ପଛକୁ ଚାହିଁ ଥମକି ରହିଗଲେ)
ମହୀଷା- (ତଳକୁ ଆସି)
ରକ୍ଷକୁଳ-ରାଣୀ !
ଲକ୍ଷ ଦାସଦାସୀ ଥାଉଁ-
ଚରଣ-କିଙ୍କରୀପଣେ,
କି ଦୁଃଖରେ, ଲୋ ସୁନ୍ଦରି !
ସୁକୁମାର କରେ ତବ
କୁସୁମ-ଚନ୍ଦନଭାର ?
ମେଘମାଳା- ଦନୁଜ-ଈଶ୍ୱର !
ଅନୁଗ୍ରହେ ତବ, କି ଅଭାବ ମମ ?
କିନ୍ତୁ, ଶୁଣ ସତ୍ୟ ଯାହା-
ଏ ମାଳା ଚନ୍ଦନ ମୋର ଜୀବନର ସେବା ।
ମନ ବୁଝି, କୁସୁମ ଚୟନ କରି,
କାହୁଁ କହ ଆନେ କେହି-
ସଜାଇ ଗୁନ୍ଥିବେ ଫୁଲହାର ?
ମୋ ଅନ୍ତରେ ସ୍ନେହ-ଭକ୍ତି,
ସମ୍ଭବ କି ପରିଚାରୀ ମନେ ?
ଏ ଚନ୍ଦନ-
ପ୍ରାଣ ମୋର ଗୋଳା ତହିଁ ତୁଲେ;
କେ ଦେଇପାରିବ କହ
ଚନ୍ଦନରେ ମନଭରା ଗନ୍ଧ ?
ତେଣୁ କର୍ତ୍ତବ୍ୟରେ ମୋର,
ଦିଅ ନାହିଁ ବାଧା ରକ୍ଷପତି !
ମହୀଷା- ବିଧିମୁଖୀ !
କେବେ କି ଦେଇଛି ବାଧା-
ତବ କାର୍ଯ୍ୟେ ସଖି ?
ବାଧେ ସିନା ମୋତେ,
ମୃଣାଳ-କୋମଳ ବାହୁଯୁଗ,
ତହିଁ ପୁଣି, ଚମ୍ପକ କଳିକାନିନ୍ଦି
ଅନୁପମ ଡ଼ଉଲ ଅଙ୍ଗୁଳି-
ବିଧାତାର ଚାତୁରୀର ଧାରା-
ଭାଙ୍ଗି ସୃଷ୍ଟି ଯାର-
ବାଧିବ ତାହାକୁ ସୁବଦନି !
ମେଘ-ମୁକ୍ତ ଶରଦ ଶଶୀର ତଳେ
ଲୋ ପ୍ରେୟସୀ !
ତେଜି ତଳପ-ତୁଳିକା
କାହିଁ ଯାଅ ଆଜି ?
କୋମଳ ଚରଣେ ବ୍ୟଥା ଲାଗୁଥିବ
ଲୋ ଅଭିସାରିକା !
ମେଘମାଳା- କ୍ଷମା କର ରକ୍ଷକୁଳପତି !
ନୁହେଁ ଅଭିସାର ମୋର-
ଇଷ୍ଟପୁଜା ଜୀବନବାସନା ।
ମହୀଷା- ଚିରଋଣୀ ସିନା ତୋର ମୁହିଁ ।
ଏଡ଼େ ଅନୁଗ୍ରହ ସତେ
ଦାସଜନଠାରେ ?
ନୁଆଁଉଛି ଶିର-
ପାଶେ ତୋର-
ଭୁବନବିଜୟୀ ଦୈତ୍ୟପତି ।
କୁସୁମ ସଜଡ଼ା ଏଇ ପ୍ରେମଫାଶ ସଖି !
ବାନ୍ଧିଦିଅ ଗଳେ,
ଦୟା କର ମଧୁ-ମନ୍ଦ-ହାସି !
ମେଘମାଳା- (ଦୂରକୁ ଅଳ୍ପ ଘୁଞ୍ଚି)
ଭ୍ରମ, ଭ୍ରମ ତବ ଦନୁଜ-ନାୟକ !
ଏ ମାଳା ଚନ୍ଦନ-
କହିଛି ତ
ଇଷ୍ଟପୂଜା ଉପଚାର ମୋର ।
ମହୀଷା- ଇଷ୍ଟପୂଜା ! ମୋହ ତହୁଁ ବଳି ଇଷ୍ଟ ?-
ମେଘମାଳା- ଅଛି ଏ ଜଗତେ ।
ତୁମ୍ଭେ ମୋର ନାଥ — ପ୍ରାଣେଶ୍ୱର-
ଜୀବନବଲ୍ଲଭ ।
କିନ୍ତୁ ଇଷ୍ଟ ?-ଦେବ ମୋର
ଇହ-ପରଗତି ।
ଇଷ୍ଟପୂଜା କରେଁ ନାଥ !
ନିରତ ଏ କୁସୁମ-ଚନ୍ଦନେ
ତବ କୁଶଳ ମନାସି ।
ମହୀଷା- ଆହୁରି ଛଳନା ?
ପାପୀୟସୀ ନାରୀ !
କହୁ ମୋତେ
କୁଶଳ ମନାସି ମୋର
କରୁ ଇଷ୍ଟପୂଜା ?
ମେଘମାଳା- ଅକପଟ ସତ୍ୟ ଅଛି କହି ।
ନାହିଁ ତହିଁ ପାପଗନ୍ଧ ଲେଶ ।
ଅବିଶ୍ୱାସ କରନାହିଁ
ଦାନବ-ଈଶ୍ୱର ।
ତୁମ୍ଭେ ସ୍ୱାମୀ, ତୁମ୍ଭେ ପ୍ରଭୁ,
ପରାଣର ସାଥି ତୁମ୍ଭେ ମୋର,
କିନ୍ତୁ ତହୁଁ ବଳି-
ଇଷ୍ଟ ମୋର ପୂଜ୍ୟ ।
ମହୀଷା- କହ ତେବେ କିଏ ସେହି ଇଷ୍ଟ;
ପୂଜାଲାଗି ଯାର, ଭୁବନବିଜୟୀ-
ମହୀଷାସୁରର ପତ୍ନୀ
ଆକୁଳ ଅନ୍ତର ?
ଦେବ, ଦାନବ, କିନ୍ନର,
ଦାସପଣେ ଖଟନ୍ତି ଯାହାର-
ଘରେ ତାର ପୂଜା ପାଏ
କିଏ ସେ ଦେବତା
ଇଷ୍ଟରୂପେ ?
କୁଳରେ କଳଙ୍କ ବୋଳି
ନୁଆଇଁ ମୋ ଗର୍ବିତ ମସ୍ତକ-
କାର ପୂଜା କରୁ ତୁହି ?
କେ ଅଛି ଦେବତା କହ-
କାହାର ଏ ଦମ୍ଭ ?-
ମହୀଷା-ଘରଣୀ ପୂଜା
ଘେନେ କି ସାହସେ ?
ମେଘମାଳା- ଅବୁଝା ନ ହୁଅ ନାଥ !
ସେ ଯେ ଶକ୍ତି-
ଶକ୍ତି ମୋର ଇଷ୍ଟ ।
ମହୀଷା- (ବୃହସ୍ପତି ଦେଖାଇ)
ଶକ୍ତି !
କର ପୂଜା ତେବେ ନାରୀ !
ଶକ୍ତିମାନ ଏହି ବାହୁଯୁଗ,-
ବିଶ୍ୱ-ଶକ୍ତି ହରାଇ ଯେ ହେଳେ
ବଜାଇଛି ବିଜୟ-ଡିଣ୍ଡିମ -
କର ପୂଜା ଶକ୍ତିର ଅବଳା !
ମେଘମାଳା- କିନ୍ତୁ, ସେ ନୁହେଁ ପୁରୁଷ !
ବିଧି-ବରେ ଜିଣି ତିନିପୁରେ
ନିଜ ବାହୁବଳ ଗର୍ବ ତବ ରକ୍ଷପତି !
ଭ୍ରମ କର ଦୂର ।
ଇଷ୍ଟ ମୋର, ନର ନୁହେ;-
ସର୍ବଶକ୍ତିମୟୀ-ନାରୀ ।
ମହୀଷା- ନାରୀ !
ଛଳନାମୟୀ ତୁ ମେଘମାଳା !
ବୁଝିଲି ମୁଁ
କେଉଁ ଦେବତାର ମାୟାର ସଙ୍ଗିନୀ ତୁହି ।
ଧୂଳି ଦେଇ ଜଗତ ନୟନେ
କୂଟ କରି,
ପୁରୁଷ ଦେବତା-ନାରୀରୂପ ଧରେ ।
ମେଘମାଳା- ପାପକଥା ନ ଆଣ ମନରେ
ଶକ୍ତି ପୂଜେଁ ସତ୍ୟ, ସତ୍ୟ, ସତ୍ୟ ।
ମହୀଷା- କୁଳ-କଳଙ୍କିନୀ ନାରୀ !
ବିଶ୍ୱ-ଜୟୀ ପୁରୁଷର ଘରେ ତେବେ
ଅବଳାର ପୂଜା ?
ବାସନା- ମନ୍ଦିରେ ମୋର
ଧୂପ ଦେଇ ଜଗାଇଲୁ ଆଶାର ପ୍ରତିମା ?
ଭଲ ତେବେ-
ଛଳେ ବଳେ କଉଶଳେ
ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଖୋଜାଇ-
ଧରି ମୁଁ ଆଣୁଚି ଆଜି
ଇନ୍ଦ୍ରର ରମଣୀ ।
ଅର୍ଦ୍ଧାଙ୍ଗିନୀ ହେବ ମୋର ଶଚୀ ।
ଦାସୀରୂପେ-
ପାଦପୂଜା କର ତାର ନାରୀ !
ମେଘମାଳା- କ୍ଷମାକର ଦଇତ-ଈଶ୍ୱର !
ଆଜ୍ଞା ପାଳି ତବ
ଦାସୀରୂପେ ଶଚୀର ପୂଜନେ
ନୁହେଁ ମୁଁ ବିମୁଖ ।
କିନ୍ତୁ ନାଥ !
କରଯୋଡ଼ି କରେଁ ଅନୁନୟ,
ପତିପରାୟଣା ଶଚୀ;-
ନାରୀର ସମ୍ବଳ ପରେ
ନକର ଏ ହୀନ କଳପନା ।
ସାରା ବିଶ୍ୱ କରେ ହାହାକାର,
ପୀଡ଼ନେ ତୁମ୍ଭର ଆଜି;
ଦେବତାର ନୟନରେ ବାରି ।
ଦେବତାର ନୟନରେ ବାରି ।
କୁଳନାରୀ-ଶଚୀ;
ଧର୍ମ୍ମେ ତାର ନ ବଢ଼ାଅ କର ।
ଭୁବନବିଜୟୀ ତୁମ୍ଭେ-
ବୀରତ୍ୱର କର ନାହିଁ ଅପବ୍ୟବହାର
ଶାସିତର କୁଳଧର୍ମ୍ମ ରକ୍ଷା ସିନା
ଶାସକ-ଗୌରବ !
ଶଚୀପଦେ ଦାସୀପଣେ
ନିଯୋଗିଲେ ମୋତେ
ନାହିଁ ଦୁଃଖ ଲବେ;
କିନ୍ତୁ ପାପଦୃଷ୍ଟି ତେଜି
ଆଦେଶିଲେ ମୋତେ
ବଚି ମୁଁ ଆଣିବି ଶଚୀ କରି ପାଦପୂଜା
ନବରେ ତୁମ୍ଭର !
ମହୀଷା- ନବରେ ମୋହର ?
ବିଜୟର ଆକାଙ୍କ୍ଷିତ ଧନ ମୋର ଶଚୀ-
ଆସିବ ମୋ ପୁରେ ?
କହ ମେଘମାଳା !
କାହିଁ ସେହି ସୁର-ସୀମନ୍ତିନୀ ?-
ଯା ଲାଗି ରେ ଅହରହ
ତପ୍ତ ବକ୍ଷେ ଜଳେ ମୋର
ଅତୃପ୍ତିର ଶିଖା !
ଶଚୀ ବିନେ ଇନ୍ଦ୍ର ପଦ,
ଜୀବନ- ବିହୀନେ ପିଣ୍ଡ ସରି ।
ଦିଅ ମେଘମାଳା !
ଦିଅ ମୋତେ ଶଚୀର ସନ୍ଧାନ ।
ମେଘମାଳା- (ଚମକି) ଶଚୀର ସନ୍ଧାନ ?
ପୁରନାରୀ ମୁହିଁ;
ମୁଁ କି ଜାଣେ କାହିଁ ଥାଏ ଶଚୀ ।
ଲୁଣ୍ଠନ, ପୀଡ଼ନ, ହତ୍ୟା-
ନୀରବରେ ସହିଛନ୍ତି ଦେବେ-
ଅତ୍ୟାଚାର ଯେତେ ।
କିନ୍ତୁ ମନେରଖ ରକ୍ଷପତି !
ନାରୀର ମହତ୍ତ୍ୱ ଘେନି
ଖେଳା ଯେବେ କର,
ଗର୍ବ, ଦମ୍ଭ, ବୀରତ୍ୱ ତୁମ୍ଭର
ଅଭିଶାପ ଅନଳରେ
ପଲକରେ ହେବ ଭସ୍ମୀଭୂତ ।
ଅନାଚାରେ କମ୍ପିବ ଧରଣୀ ।
ମହୀଷା- କମ୍ପିବ ଧରଣୀ ?
ଉଠୁ, -କମ୍ପିଉଠୁ ଧରା,
ଯାଉ ସ୍ୱର୍ଗ ରସାତଳେ,
ଟଳିଯାଉ ସ୍ୱର୍ଣ୍ଣସିଂହାସନ ।
ଭୁବନବିଜୟୀ ମୁହିଁ,-
ଅତୃପ୍ତ ବାସନା ଘେନି-
ଜୀବନରେ ଶାନ୍ତି ନାହିଁ ମୋର ।
ଖୋଜେ ତେଣୁ ଧରାର କମ୍ପନ ।
ତୁଚ୍ଛ ନାରୀ-
କି ବୁଝିବୁ କି ସୁଖ ତହିଁରେ ?
ସେ କମ୍ପନତଳେ-
ଦିଶେ ମୋତେ ସୁଖର ସପନ ।
ଶକ୍ତିପୂଜାଛଳେ ତୋର
ଅଭିସାର ପଡ଼ିଅଛି ଧରା ।
ତେଜି ରାଣୀର ଆସନ ।
ହୀନ ପରିଚାରୀରୂପେ କର ପୂଜା-
ଏଇ ଶକ୍ତି-ଧରେ ।
ଆଉ, କହ କାହିଁ ସେହି ଶଚୀ ?
ଶୟନେ-ସ୍ୱପନେ-
ମୋର ଯୋଗ୍ୟ ରାଜ-ଲକ୍ଷ୍ମୀ !
ମେଘମାଳା- କହିଛି ତ
ଜାଣେ ନାହିଁ ଶଚୀର ସନ୍ଧାନ ।
ପାପ-ଇଚ୍ଛା ନ କର ପୋଷଣ ।
ସେ ନୁହେଁ ସାମାନ୍ୟ ନାରୀ,
ନୁହେଁ ଶଚୀ-ସ୍ୱରଗ ଅପ୍ସରୀ ।
ନୟନର କୋଣେ ତାର-
ସତୀର ମହତ୍ତ୍ୱ ଘେନି,
ସୁପ୍ତ ଅଗ୍ନିକଣା-
ନଦିଅ ଚେତାଇ ଅବହେଳେ ।
ଜଳିଯିବ, ଜଳିଯିବ ବିଶ୍ୱ ।
ଅମଙ୍ଗଳ, ଆମନ୍ତ୍ରଣ
ନକର ବୃଥାରେ ।
ମହୀଷା- ଅମଙ୍ଗଳ ଆମନ୍ତ୍ରଣ ?
ତୁ କାହୁଁ ଜାଣିବୁ କହ
କି ଆନନ୍ଦ ଖେଳେ ସେହି ଆମନ୍ତ୍ରଣେ ମୋର ?
କେତେ ଆଶା ଘେନି ମନେ
ଆମନ୍ତ୍ରଣ ଲାଗି ତାର ଉତ୍କଣ୍ଠିତ ମୁହିଁ ।
ଉପଦେଶ ଶୁଣିବାକୁ
ନାହିଁ ଅବସର ।
ଆଦେଶିଲି
ଶକ୍ତିନାମେ କର ପୂଜା ମୋର ।
ହେଲୁ ତୁ ବିମୁଖୀ କଳଙ୍କିନୀ ।
କିନ୍ତୁ; କ୍ଷମା ନାହିଁ ଦେବି ମୁହିଁ,
ଶଚୀ ଠାବ ନ ଦେଲେ ବତାଇ ।
କହିବାକୁ ହେବ ତୋତେ
ଶଚୀର ସନ୍ଧାନ ।
(ସଜୋରେ ହଲାଇଦେଲେ- ପୂଜାଥାଳ ଖସିପଡ଼ିଲା ହାତରୁ- ହଠାତ୍ ପହୁଞ୍ଚିଗଲେ ମନ୍ତ୍ରୀ)
ମନ୍ତ୍ରୀ- (ପ୍ରଣାମ କରି)
ସର୍ବନାଶ ରକ୍ଷକୁଳପତି !
ମହୀଷା- କି ସମ୍ବାଦ ମନ୍ତ୍ରୀ ?
ମନ୍ତ୍ରୀ- ସିଂହର ବାହନେ
ନାରୀ ଏକ, ଜୟା ନାମ ତାର;
ମୁକୁଳିତ କରବାଳ କରେ-
ନିର୍ମୂଳ କରଇ ଆସି
ଅସୁରସଇନୀ ପ୍ରଚଣ୍ଡ ବିକ୍ରମେ ।
ସାଧ୍ୟ ନାହିଁ ବାଧା ଦେବ କେହି-
ସର୍ବନାଶ ଉପସ୍ଥିତ ପ୍ରଭୁ !
ମହୀଷା- ନାରୀ !
ନାରୀ ଏକ ସିଂହର ବାହନେ ?
ଅସୁର ସେନାନୀ ମୋର
ଧ୍ୱଂସ କରେ ଆସି ?
ଆଜ୍ଞା ଦିଅ-
ସାଜୁ ରଥ ।
ଅବିଳମ୍ବେ ଭେଟିବି ମୁଁ
ସମ୍ମୁଖ-ସମରେ ତାରେ !
ବୁଝିଲିଣି ଦେବ-କୂଟ ସବୁ ।
ଆଣିବି ମୁଁ ବନ୍ଦୀ କରି ତାକୁ
ହେବ ମୋର ବାସରସଙ୍ଗିନୀ ସେହୁ ।
ଯାଅ-
ଆଣ ରଥ, ଦିଅ ଅସି ମୋର !
ମନ୍ତ୍ରୀ- ଯଥା ଆଜ୍ଞା ପ୍ରଭୁ !
ମହୀଷା- ଆଉ, କି ଦେଖୁଚୁ ତୁହି ନାରୀ ?
ଯାଅ ଘରେ-
ଭୁବନବିଜୟୀ ଶକ୍ତି,
ଅପମାନ ମଣେ
ଆନ ଶକତି ପୂଜନେ ।
ଶୁଣିଥିଲି ନାରଦମୁଖରୁ
ସୃଷ୍ଟି କରିଛନ୍ତି ଦେବେ-
ଅନିନ୍ଦ୍ୟସୁନ୍ଦରୀ ଏକ ବାମା ।
ଭାଗ୍ୟ ମୋର ସୁପ୍ରସନ୍ନ ଆଜି ।
ହେବ ପରା ତାହାରି ମିଳନ ରଣାଙ୍ଗନେ ।
ଏ ଆନନ୍ଦ ଦିନେ ଆଜି
କଳଙ୍କିନୀ କରୁ
ନେବି ନାହିଁ ବିଜୟ-ସିନ୍ଦୂର- (ପ୍ରସ୍ଥାନୋଦ୍ୟତ)
ମେଘମାଳା- ନାଥ ! ପ୍ରଭୁ !
ଘେନ ମୋର ଶେଷ ନିବେଦନ ।
ତୁମ୍ଭ ଅନୁମାନ ସରି
ନୁହଇ ସେ ସାମାନ୍ୟ ଅବଳା ।
ଜୟାରୂପେ ଶକ୍ତିଦେବୀ ସିଂହର ବାହନେ ।
କମ୍ପି ଉଠେ ହିଆ ମୋର-
ଅମଙ୍ଗଳ ଆଶଙ୍କାରେ,
ଜାଗେ ଭୟ ମନେ ।
ମହୀଷା- ଜାଗେ ଭୟ ମନେ, ତୋର ?
ତୁ କି ଜାଣୁ ନାରୀ !
ମହୀଷାର ମନର ବାସନା-
ଜିଣିଛି ସର୍ବତ୍ର ।
ଏତେଦିନ କରିନାହିଁ
ନାରୀର ଲାଞ୍ଛନା ।
ଛାଏଁ ଛାଏଁ ଯେବେ ଆଜି
ଦେଇଛି ସେ ଧରା-
ବୁଝିଲିଣି ପୂରିବ କାମନା ।
ଆଉ- ହେଲେ ବା ମରଣ ମୋର,
ସେ ମରଣ ଅମରତ୍ୱ ଲାଗି ।
ଏତେଦିନ ଯୁଝିଥିଲି ପୁରୁଷର ତୁଲେ;
ଆଜ କିନ୍ତୁ- ଶତ୍ରୁ ମୋର-
ଭୁବନମୋହିନୀ ଏକ ନାରୀ ।
ମରେଁ ଯଦି
ଦରଶ-ପରଶେ ତାର,-
ସେ ମରଣ ହେବ ମୋର
ସ୍ୱରଗ ସମାନ ।
କିନ୍ତୁ, ଛଳନାର ଶକ୍ତିପୂଜା-
ଘୃଣା କରେଁ- ଘୃଣା କରେ ମୁହିଁ ମେଘମାଳା !
(ନେପଥ୍ୟରୁ ବାଜିଉଠିଲା ଘନ ଘନ ତୂରୀ ଓ ଘଣ୍ଟା । ମହୀଷା ଦ୍ରୁତ ପ୍ରସ୍ଥାନ କଲେ)
ମେଘମାଳା- (କରଯୋଡ଼ି)
ଦେବି, ଶକ୍ତିମାୟି- ଜୟା !
ଇଚ୍ଛାମୟୀ, ଇଚ୍ଛା ତୋର ହେଉ ପୂର୍ଣ୍ଣ ମାତା ! (ପ୍ରମାଣ କଲେ)
ପଟ୍ଟକ୍ଷେପ
(ସିଂହାସନ ଉପରେ ଉପବିଷ୍ଟ ମହୀଷାସୁର । ସିଂହାସନତଳେ ଦଣ୍ଡାୟମାନା ଶଚୀ ।)
ମହୀଷା- ଜୀବନ ସାର୍ଥକ ଆଜି ।
ତିନିପୁର ଜିଣି ଅବହେଳେ
ବିଶ୍ୱାସାରା ରଟେ ଯଶ ମୁଖେ;
ଜୀବନରେ କିନ୍ତୁ ମୋର ନ ଥିଲା ଗୋ ଶାନ୍ତି ।
ଅନ୍ଧକାର ମନ, ଅଶାନ୍ତ ହୃଦୟ ଘେନି,
ଅପଦାର୍ଥ ମଣୁଥିଲି ଆପଣାକୁ ଆପେ-
କି ଅଛି ତାହାର ?
କି ହେବ ଏ ସିଂହାସନ-କି ଥାଇ ରାଜତ୍ୱ-
ଭୋଗ ନାହିଁ ଭାଗ୍ୟେ ଲେଖା ଯଦି ?
ଆସ ଦେବି !
ଆଜି ଏ ଆନନ୍ଦ ଦିନେ
ଅଭିମାନ ତେଜ ଲୋ ରୂପସି !
ଶଚୀ- ଶୁଣ ରାଜା !
ଶୁଣ କାନେ ଧରଣୀର କାତର କ୍ରନ୍ଦନ
ଜଳେ, ସ୍ଥଳେ ଶୁଣ ହାହାକାର ।
ରମଣୀର ଆର୍ତ୍ତନାଦ- ଶିଶୁର ଚିତ୍କାର ।
ଗାଏ ତୁମ୍ଭ ବିଜୟର ଜୟ ଜୟ ଘୋଷ ।
ଅବଶେଷେ-
ଇନ୍ଦ୍ରର ଘରଣୀ ମୁହିଁ ।
ପାପଦୃଷ୍ଟି ଫେରାଅ ରାକ୍ଷସ,
ଅମଙ୍ଗଳ ନ କର ବରଣ ।
ମହୀଷା- (ହସି) ପୁଣି ଇନ୍ଦ୍ରର ଘରଣୀ !
ବିଶ୍ୱଜୟୀ ମହୀଷା ଦାନବ-
ଭାଗ୍ୟ ତୁଲେ ଖେଳା କରେ ନିତି ।
ନୁହେଁ ମୁଁ ଅବଳା, ଭୀରୁ ଅବା ଶିଶୁମତି,
ଅମଙ୍ଗଳ ଆଶଙ୍କାରେ ପଡ଼ିବି ଚକମି ।
ନୟନ-ଚକୋର ମୋର
ଚନ୍ଦ୍ରିକାର ପରଶ ପାଇଚି-
ଏତେଦିନେ ।
ଅମଙ୍ଗଳ ହେବ କହି
ଧୌର୍ଯ୍ୟ ମୋର ପରୀକ୍ଷା କରୁଛ ଦେବୀ ?
ନା ନା, ଲୋ ସୁନ୍ଦରି !
କ୍ଷମତା, ଗୌରବ, ଧନ ମହତ୍ତ୍ୱ ବଦଳେ
ଚାହେଁ ମୁହିଁ ଅନୁରାଗ ତବ ।
ଆଜ୍ଞା ଦିଅ ସବୁଦିନ !
ପୂରାଅ ବାସନା ।
ଶଚୀ- କହିଲି ବହୁତ, -
ପାପମତି, କ୍ଷାନ୍ତ ହୁଅ ।
ବିଧିବରେ ଭୁବନବିଜୟୀ ତୁମ୍ଭେ ।
ଅବଳା-ସଂପଦ ପରେ ଦିଅନାହିଁ ଦୃଷ୍ଟି ।
ଗର୍ବ କର ବଳ, ବୀର୍ଯ୍ୟ, ସଂପଦର ଯାହା-
ପଲକରେ ହେବ ଭସ୍ମୀଭୂତ
ଅଭିଶାପ-ଅନଳେ ଦାନବ !
ପୁରୁଷର ତୁଲେ କରି ରଣ,
ଜେତା ତୁମ୍ଭେ ସତ୍ୟ;
କିନ୍ତୁ, ରମଣୀର ରୋଷାନଳୁ-
ସ୍ୱୟଂ ଚକ୍ରଧର ଅବା ବିଶ୍ୱମ୍ଭର ଶିବ-
କେହି ହେଲେ ନ ପାରିବେ ବର୍ତ୍ତି ।
ଏବେ ମଧ୍ୟ ଚେତନାର ଅଛି ଅବସର ।
ହୁଅ ସାବଧାନ ।
ମହୀଷା- (ହସି) ଶୁଣ ନାରି ! ଶକ୍ରାଚାର୍ଯ୍ୟ ଗୁର ମୋର,
ଉପଦେଶ ନେଲେ ନେବି ତାଙ୍କଠାରୁ ସିନା !
ଅବଳାର ଉପଦେଶ ଉପହାସକର ।
ସ୍ୱର୍ଗ ଜିଣି କିବା ଲାଭ ମୋର,
ଅଙ୍କେ ଯେବେ ନ ଧରିଲି ସୁରପୂର-ଲକ୍ଷ୍ମୀ ?
ପଥର ଭିଖାରୀ ଇନ୍ଦ୍ର-
କି ସାହସେ ଘେନିବ ସେ କଣ୍ଠେ ତାର -
ମହାମୂଲ୍ୟ ମଣି ?
ଅସୁନ୍ଦର, ଅସଂଗତ, ଅପସନ୍ଦ କଥା ।
ଆସ ସୁରେନ୍ଦ୍ରାଣି !
ପବିତ୍ର କର ଗୋ ସିଂହାସନ ।
ବିଳମ୍ଭ ନ ସହେ ସଖି,
ମହୀଷାର ଘେନ ଅନୁନୟ ।
(ଉଠିଯାଇ ଶଚୀଙ୍କ ନିକଟସ୍ଥ ହେଲେ)
ଶଚୀ- (ଘୁଞ୍ଚି) ଦୂରେ, ଦୂରେ ରହ ନିର୍ଲ୍ଲଜ ଦାନବ !
ଛଳେ ତୁ ବନ୍ଦିନୀ କରି ଦେବର ଘରଣୀ,
ବଳର ଗରବେ
ଅପମାନ କରୁ ରମଣୀରେ ?
ମନେ କର ନାହିଁ ଆଜି ସୁପ୍ତ ଭଗବାନ ।
ମନେ କର ନାହିଁ ତୋର ନୋହିବ ମରଣ ।
ଅସହାୟା ଅବଳାର ନୟନର କୋଣେ-
ଏବେ ମଧ୍ୟ ଲିଭିନାହିଁ ପ୍ରଳୟର ଶିଖା ।
ଦୂରେ ରହ, ହୁଅ ସାବଧାନ !
ନତୁ-
ମହୀଷା- (ହସି) କହିଛି ତ ଭୀରୁ ନୁହେଁ ମହୀଷା ଦାନବ ।
ମରଣର ଡର !
କାହାକୁ ଦେଖାଅ ଶଚୀ ?
ନୁହେଁ ମୁହିଁ ଯକ୍ଷ ଅବା ନର
ପଳାଇ ଲୁଚିବି ଯହିଁ-ତହିଁ ।
ମହୀଷାର ବାହୁଯୁଗ ନୁହଇ ଦୁର୍ବଳ ।
ପ୍ରତିଜ୍ଞା ମୋହର,-
ଛଳେ, ବଳେ, କଉଶଳେ
ଶଚୀ ହେବ ଅଙ୍କଲକ୍ଷ୍ମୀ ମୋର ।
ଆଉ-ସେ ସୁଯୋଗ କରଗତବେଳେ,
ମନେ କି କରିଛ ଶଚୀ !
ଅବହେଳେ, ଅନାଦରେ-
କରଗତ ମଣି ଦେବି ଫିଙ୍ଗି ?
ଏଡ଼େ ଭୀରୁ-ଏଡ଼େ ମୂର୍ଖ ମୁହିଁ ?
ନା ନା, ଶୁଣ ଲୋ ରୂପସି !
ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ଘେନି
ପ୍ରଳୟରେ ବୁଡ଼ିଯାଉ ସୃଷ୍ଟି-
ତଥାପି ଏ ଜୀବନରେ ପଣ,
ଶଚୀ ଏକା ମହୀଷାର ମନବିହାରିଣୀ
ଏକାନ୍ତ ବିନତି ମୋର ଘେନ ଦେବରାଣି !
(କର ଯୋଡ଼ିଲେ)
ଶଚୀ- ପଦାଘାତ-
ପଦାଘାତ ଅନୁନୟେ ତୋର ।
ମହୀଷା- ପଦାଘାତ !
ଭୁବନବିଜୟୀ ମହୀଷାର-
ଅପମାନ କରୁ ତୁହି-ନାରୀ ?
ଅନୁନୟ କରିଛୁ ଉପେକ୍ଷା ? ଉତ୍ତମ,
ବୁଝିଲି ମୁଁ-
ଭାଗ୍ୟେ ତୋର ଶୁଭ ନାହିଁ ଲେଖା ।
ଅସୁରର ବଳେ ତେବେ
ଶଚୀ ହେବ ଚରଣକିଙ୍କରୀ-
ଅନାଘ୍ରାତ ଯିବ ନାହିଁ ସୁଗନ୍ଧି-ସୁମନ । (କାନି ଧରିଲେ)
ଶଚୀ- ରକ୍ଷାକର, -ରକ୍ଷାରକ
କିଏ କାହିଁ ଅଛ !
ରଖ ଚକ୍ରଧର,
ଲାଜ ରଖ ଅବଳାର ହରି !
ମହୀଷା- ଚିତ୍କାରରେ ନାହିଁ ଫଳ ଶଚୀ !
ଦୁଃଖ ଲାଗେ ମୋତେ-
କମଳ-ନୟନକୋଣେ ଦେଖି ସଖି !
ଶିଶିର କଣିକା ।
କିନ୍ତୁ, ଶଚୀ ବିନେ-
କାହିଁକି ଜିଣିଲି ସ୍ୱର୍ଗ ?
କି ଲାଭ ଜୀବନେ ମୋର ?
ଜାଣେ,-
ଅତ୍ୟାଚାରୀ ବୋଲି କରୁ ଘୃଣା ।
ସେନାନୀରେ ଦେଇଛି ଆଦେଶ
କରିବାକୁ ଦେବତାର ଗର୍ବୋନ୍ନତ ଶିର-ଚୂର୍ଣ୍ଣ
ଚିରଦିନ ଲାଗି ।
ସୁଖ, ଶାନ୍ତି, କ୍ଷମତା, ସୌଭାଗ୍ୟ-
ସେ କି ଦେବତାର ଏକା ?
ଦେବସ୍ଥଳୀ ବୋଲାଇବ ସ୍ୱର୍ଗ ଚିରଦିନ ?
ଦାନବ ତ ପୁଣି ଏଇ ଜଗତର ସୃଷ୍ଟି ?
ଲଘୁସଂଖ୍ୟା ବୋଲି ତାର ନାହିଁ ଅଧିକାର ?
ଏ କି ଅବିଚାର ?
ଦେବତାର ବଂଶ ଲୋପ କରି
ରକ୍ଷସ୍ଥଳୀରୂପେ ଏହା ହେଉ ପରିଚିତ ।
ଯୁଦ୍ଧେ ହାରି ଇନ୍ଦ୍ର,
ହରାଇଛି ଇନ୍ଦ୍ର ପୁରୀ, ସ୍ୱର୍ଗ-ସିଂହାସନ;-
ଯା'ଥିଲା ଇନ୍ଦ୍ରର ଦିନେ ।
ବିଜୟୀର-ଅଧିକାରେ
ତେଣୁ ଆଜି ରାଜ୍ୟ, ରତ୍ନ, ପ୍ରଜା ।
କହ ତେବେ
ଇନ୍ଦ୍ରର ଗୌରବ-ଶଚୀ,
ମଘବାର ସମ୍ବଳ ସମ୍ପଦ-
ଏ ସବୁର ଅଧିକାରୀ କିଏ ?
ବିଶ୍ୱଜୟୀ ମହୀଷା-ନା-ଭୀରୁ ସେ ମଘବା ?
ଆସ ସଖି, ଏ ବାରଣେ ଫଳ ନାହିଁ କିଛି ।
ଶଚୀ- ଘୁଞ୍ଚ ଦୁରେ ଦୁର୍ମତି ଦାନବ !
ଶଚୀ ନୁହେଁ ଖେଳାର ସାମଗ୍ରୀ;
ଶଚୀ ମଘବାର ।
ଛାୟା ସ୍ପର୍ଶ କରୁ ଯଦି ମୂର୍ଖ...
ମହୀଷା- କହୁ ସଖୀ, ହେବି ଭସ୍ମୀଭୂତ ?
ମରଣ-ବିଜୟୀ ମୁହିଁ-
ଅଭିଶାପ ଡର ନାହିଁ ମୋର ।
ରଖ ଅନୁଯୋଗ,
ନତୁ ଦାନବର ବଳେ-
(ପୁଣି ଶଚୀଙ୍କୁ ଧରିବାକୁ ଗଲେ)
ଶଚୀ- (ଦୂରକୁ ଘୁଞ୍ଚ)
ରକ୍ଷାକର ଚକ୍ରଧର, ରଖ ଅବଳାରେ ।
ରକ୍ଷାକର କୁଳ ମାନ ପ୍ରଭୁ !
(ହଠାତ୍ ମେଘମାଳା ଆସି ଶଚୀଙ୍କ ସମ୍ମୁଖରେ ଛିଡ଼ାହେଲେ)
ମେଘମାଳା- ଏ କି କଥା !
ଦେବୀ ସୁରେନ୍ଦ୍ର-ଘରଣୀ
ଅସୁରର ଘରେ ?
ଶଚୀ- ଆହୁରି ଛଳନା ମେଘମାଳା ?
ନିରାପଦେ ରଖିବାର ଛଳେ ଆଣି ମୋତେ....
ମେଘମାଳା- (ଚମକି) ମୁଁ ଆଣିଛି ଭୁଲାଇ ତୁମ୍ଭଙ୍କୁ ଦେବୀ ?
ଅସମ୍ଭବ ! ସବୁ ଅସୁର ଛଳନା-ଦାନବର ମାୟା ।
କହିଛି ମୁଁ, ମନେଥିବ- (ମହୀଷା ହସିଲେ)
ଜୀବନେ ଥାଉ ମୁଁ,
କେଶ ଅଗ୍ର ତବ କେହି ନ ପାରିବେ ଛୁଇଁ ।
କହ ରକ୍ଷପତି ! ସତ୍ୟ କହ,
କେ ଆଣିଛି ଭୁଲାଇ ଦେବୀରେ
ଧରି ମେଘମାଳାରୂପ ?
ମହୀଷା- ତୁହି ପୁଣି ବିଘ୍ନ ମୋର ନାରୀ ?
ମେଘମାଳା- ହତ୍ୟାକର, ନିଜ କରେ ଆଗେ ମୋତେ ରାଜା !
ତହିଁ ପରେ ଶଚୀଅଙ୍ଗ ପରଶିବ ତୁମ୍ଭେ ।
ଆସ ରାଜା, ବିଳମ୍ବ କାହିଁକି ?
ଭୁବନ-ବିଜୟୀ ମହୀଷା ଦାନବ ତୁଲେ
ଛାର ନାରୀ ମାଗେ ଆଜି ଯୁଦ୍ଧ
ରଖିବାକୁ ନାରୀର ମହତ୍ତ୍ୱ ।
ଧର ଖଡ଼୍ଗ-କର ଯୁଦ୍ଧ ।
ମହୀଷା- (ହସି) ନାରି !
କଳଙ୍କିତ କରିବି ଖଡ଼୍ଗ !
ଭୁବନ ରଟିବ ନିନ୍ଦା ମୋର ।
ତୁଚ୍ଛ ନାରୀ ସଙ୍ଗେ ଯୁଦ୍ଧ !
ଯାଅ ନାରୀ-ଦେଲି କ୍ଷମା;
ନା, ନା-ଦେଲି ଅବସର ।
ତ୍ରିଦିବସ ମଧ୍ୟେ ଆଜିଠାରୁ
ବନ୍ଦିନୀ ଶଚୀରେ-
ମନାଇଁ ତୁ ସମର୍ପିବୁ ମୋତେ
ଅଙ୍କଲକ୍ଷ୍ମିରୂପେ ।
କହିଥିଲି-
ଶଚୀ ମୋର ହେବ ରାଜରାଣୀ;
ଆଉ ତୁହି- ମେଘମାଳା,
ଆଉ ତୁହି-ମେଘମାଳା,
ଖଟିବୁ ତା ଚରଣ-ସେବାରେ ।
ମେଘମାଳା- ଉତ୍ତମ !
ମେଘମାଳା- ନାରୀ;
ଶକ୍ତିରୂପେ ଜନ୍ମ ଯାର ଭବେ,
ଦେଇ ଜାଣେ ଉତ୍ତର ଏହାର ।
ଆସ ଦେବି !
ମେଘମାଳା ଅଙ୍ଗରକ୍ଷୀ ତବ ।
(ଶଚୀଙ୍କୁ ଘେନି ପ୍ରସ୍ଥାନ)
ମହୀଷା- (ରୋଷ-କଷାୟିତ ଲୋଚନରେ ଚାହିଁରହିଲେ ମେଘମାଳା ଯିବା ପଥକୁ - ଫେରିଆସି ଘଣ୍ଟାଧ୍ୱନି କଲେ)
(ପ୍ରହରୀର ପ୍ରବେଶ ଓ ଅଭିବାଦନ)
ଗୁରୁଦେବ ଶୁକ୍ରାଚାର୍ଯ୍ୟେ ଜଣାଅ ସଂବାଦ-
ଅବିଳମ୍ବେ ଦରଶନ-
(ଭାବି) ନା, ନା,-
ନିଜେ ମୁହିଁ-
(ମନ୍ତ୍ରୀ ପ୍ରବେଶ ଓ ଅଭିବାଦନ)
ମନ୍ତ୍ରୀ- ମହାରାଜ !
ସୈନ୍ୟ, ସେନା ନିହତ ସମରେ
ବିଷମ ବିକ୍ରମେ ସେହି ନାରୀ...
ମହୀଷା- (ବାଧା ଦେଇ କଥାରେ) ତୁନି ହୁଅ ମୂର୍ଖ !
ପୁଣି ସେହି ନାରୀ ?
ସେହି ସିଂହର ବାହନେ ଆସି
କରଇ ସଂହାର ବୋଲି ?
ଏକ ସ୍ୱପ୍ନ କଥା-
କହିବାକୁ ମୁଖେ ନାହିଁ ଲଜ୍ଜା ?
ମନ୍ତ୍ରୀ- ଚରମୁଖୁଁ ବାର୍ତ୍ତା ଶୁଣି,
ଅବିଳମ୍ବେ ଆସିଲି ମୁଁ
ଛାମୁଙ୍କ ଗୋଚର ଲାଗି ।
ମହୀଷା- କାହିଁ ଗଲେ ସେନାପତିଗଣ ?
ଯେତେ ସବୁ କାପୁରୁଷ ମିଳି-
ଘରକୋଣେ ନାରୀ ସରି କର ହାହାକାର ।
ଅକର୍ମଣ୍ୟ-ଭୀରୁ !
ନାରୀର ବିଜୟ ଲାଗି,
ଖଡ଼୍ଗ ନୁହେ-ଖଡ଼୍ଗ ନୁହେ-
ବାହୁର ବନ୍ଧନ ତାହା ।
ଆସ ଆସ ମନ୍ତ୍ରଣା-ଭବନେ,
(ପ୍ରସ୍ଥାନ)
( ଅସୁରସ୍ୱୟ ପୁନଃ ପ୍ରବେଶ କଲେ )
ପ୍ରଥମ- (ଦ୍ୱିତୀୟକୁ ଟାଣିଆଣି) ଫିଟା ମ, ଆଖି ଫିଟା; ଆରେ ଏଇଟା ଅସୁରପିଲା ନା ଘୁସୁରିପିଲା ମ ?
ଦ୍ୱିତୀୟ- ଆରେ ଯା ମ, ଅସୁର ନୁହେଁ କି ଘୁଷୁରି ନୁହେଁ-ଗଧ- ପିଲା । ଦେଖିଥିଲେ-ଜାଣିଥାଆନ୍ତୁ ! ହଇରେ, କଥାରେ କହନ୍ତି ଅସୁର-ମାୟା ! ଯା-ଯାଃ-ଦେବତାଙ୍କ ମାୟା ଦେଖିଲେ ଆଖି ମୁଦି ହେଇଯିବଟି !
ପ୍ରଥମ- ତୁ, ଆଗ ଜୀଇକରି କେମିତି ଆଇଲୁ, କହ ?
ଦ୍ୱିତୀୟ- ମୁଁ ତ କେମେତେ କେମେତେ ହେଲେ ଆଇଲି-ତୁ ହେଇଥିଲେ ସେଇଠି.....
ପ୍ରଥମ- ହଁ, ଗୁରେ କହନାଇଁ ଆଉ !
ଦ୍ୱିତୀୟ- ଚାଲ; ଯୋଗକୁ, ସେ ଥିବ କି, ଦେଖେଇ ଦେବି ।
ପ୍ରଥମ- ଫେର୍ ସେଠିକି ଯିବାକୁ ମନ ହଉଚିଟି ?
ଦ୍ୱିତୀୟ- ଆରେ, ମନ କଅଣ ଭାଙ୍ଗିଗଲା ? ମରିଲେ ମରିବ ପଛେ, ତାରି ହାତେ ମଲେ ପରା ମୁଁ କହୁଚି, ସେ ମଲାରେ ସୁଖ ଅଛି ରେ ସାଙ୍ଗ !
ପ୍ରଥମ- ଏଡ଼େ ସୁନ୍ଦର ?
ଦ୍ୱିତୀୟ- ଆଉ ? କିରେ, ସବୁ ଦେବତା ବସି ସେଠି କଅଣ ପାଟି ପାକୁ-ପାକୁ କରୁଥିଲେ । ଏଣେ ରାଜାଙ୍କ ଆଜ୍ଞା ଶଚୀକି ଖୋଜ୍!
ପ୍ରଥମ- ତୁ ଏବେ କଅଣ ସତରେ ଶଚୀକି ଖୋଜିଯାଇଥିଲୁ ?
ଦ୍ୱିତୀୟ- ଆରେ ଜାଇଁଲୁ, ମୁଁ ଯାଉଥିଲି ସତରେ ଶଚୀକି ଖୋଜିବାକୁ ! ଗୋଟେ ବାହାନା କରି ଯେତେକ ଦେବତା, ଯେତେକ ନାଚୁଣୀ, ଗାଆଣୀ ଟୋକୀ ସମସ୍ତିଙ୍କ ଘର ଭିତରେ ପଶି ବୁଲି ଆଇଲି । ଆରେ, ଏକ୍ ସେ ଏକ୍ । ଯାହାକୁ ଦେଖିଲି, ଘଡ଼ିଏ ଆଖି ନାଖି ରହୁଥାଏ ।
ପ୍ରଥମ- ଏକୁଟିଆ ବାର୍ହାଟେ ତୁ । ଡାକିଲୁ ନାଇଁ ମୋତେ ସାଙ୍ଗରେ ?
ଦ୍ୱିତୀୟ- ପାଇଥିଲେ ପୁଞ୍ଜେ ପାଞ୍ଚଟା ନ ଆଣି ଛାଡ଼ୁଥିଲି ମୁଁ ମୋତେ ଦେଖିଲାଠୁ ପରା ଖାଲି ବଣି-ହୁରୁଡ଼ା ହେଲେରେ ! ସେଇଠୁ ତ ବଣେ ବଣେ ବାହାରିଲି ଏକୁଟିଆ ପାଇଲେ କାଣ୍ଡିଆ ପକେଇବାକୁ ।
ପ୍ରଥମ- ଅପଯଶିଆଟେ ତୁ । ମୁଁ କହୁଁନାଇଁ, ଆଗରେ ପାଇଲେ ତୋ ଶିଙ୍ଗ ଭାଙ୍ଗିଯିବ ବୋଲି ।
ଦ୍ୱିତୀୟ- ହଁ ର ସାଙ୍ଗ ! ଶିଙ୍ଗ ମୋଟେ ଗଜୁରନ୍ତା ନାଇଁ ତୋର; ଦେଖିଥିଲେ ଆଉ ଏ କଥା କହନ୍ତୁ କି ? ସବୁ ଦେବତାତକ ବସି ଭୁଟୁ-ଭୁଟୁ ହଉଥିଲେ, ମୁଁ ବୋଇଲି ଦେଖେଁ କି ବିଚାର ପଡ଼ିଛି । ଆରେ, ଅନେଇଁ ଦିଏଁ ତ ଗୋଟେ ଠାଆରୁ ହାଉକିନି ନିଆଁ ଜଳିଉଠିଲା । ତାରି ଭିତରୁ ବାହାରିଲା ଗୋଟାଏ ମାଇକିନିଆଁ ।
ପ୍ରଥମ- ଦେଖିବାକୁ କେମିତି ଆଗ କହ ମ ?
ଦ୍ୱିତୀୟ- କେମିତି ଆଉ କଅଣ କହିବି ରେ ସାଙ୍ଗ ! ଏମିତି ଯେ ସେମିତି ଆଉ ନାହିଁ ନଥିବ । ମୁଁ କଅଣ ଦେଖି ପାଇଲି ସବୁ ? ଦେବତାଯାକ ଘୋ-କରି ପାଟିକରି ଉଠି ତାରି ଆଡ଼କୁ ଦଉଡ଼ିଲେ ।
ପ୍ରଥମ- ଆରେ, ତାକୁ ବାହା ହେଲା କିଏ କହ ମ ? ସଜ ଦେଖି ତାକୁଇ ମାଇଲେ, ମାଇକିନିଆଁ ଟା ହାତରେ ପଡ଼ିବ ।
ଦ୍ୱିତୀୟ- ଦେବତାଙ୍କୁ ସବୁ ଠେଲିଠାଲି ମୁଁ ତା ପାଖକୁ ପଶିଯାଉ ନଥିଲି କି- ଦେଖିଲାବେଳକୁ ଯେମିତି ନିଆଁହୁଳା ! ଆଲୋ ମା ବୋପା ଲୋ ! ଓଲଟି ସେ ତ ମୋଆଡ଼େ ମାଡ଼ିଆସିଲା-ଆଖି ମୁଦି ଦଉଡ଼ିଛି ଯେ- ବାଟରେ କେତେ ଧକ୍କା ବାଜିଛି ଠିକଣା ନାହିଁ ।
ପ୍ରଥମ- ଏଇଥିକି କହୁଥିଲି, ଅସୁର ନା ଘୁଷୁରି । ମୁଁ ତ ହାବୁଡ଼େ ପଡ଼ି ନଥିଲେ କେଉଁଠି ଖାଲ ଢିପରେ ପଡ଼ି-ଜୀବନଟା ତୋର ଉଡ଼ି ଯାଇଥାନ୍ତା !
ଦ୍ୱିତୀୟ- ଯାଇଥାଆନ୍ତା କଅଣ ମ ? ଏବେ କଅଣ ସତେ ଆଉ ଜୀବନ ରହିବାକୁ ଆଶା ଅଛି ? ଦିହ ପରା ତାରି ତାତିରେ ପୋଡ଼ିଯାଉଚି ରେ ! ଆଖି ଆଗେ ଆଗେ ଦିଶୁନାହିଁ ତୋତେ ? - ହେଇଟି ଅନା,-ପଳେଇ ଆ; ଆରେ, ଜୀବନ ବଞ୍ଚାଇ ପଳେଇ ଆ ।
( କହି କହି ପ୍ରସ୍ଥାନ )
ପ୍ରଥମ- ରହ, ରହ । ଥୟ ଧର୍। ଆରେ, ଏଇଟାକୁ ମାଈଭୂତ ଲାଗିଲାଣି କି କଅଣ ? ରହ, ରହ, ମୁଁ ଅଛି ।
( ଚାଲିଗଲା )
( ଶୁକ୍ରାଚାର୍ଯ୍ୟଙ୍କ ଘର । ବାହାର ପାଖେ ମହୀଷାସୁରର ଏକ ସେନାପତି ଓ ଶୁକ୍ରାଚାର୍ଯ୍ୟ )
ଶୁକ୍ରାଚାର୍ଯ୍ୟ- ଭୀରୁ, ଭୀରୁ ତୁମ୍ଭେ ସେନାପତି !
ଭୁଜବଳେ, ଶକ୍ତିବଳେ
ମହାବଳୀ ଶିଷ୍ୟ ମୋର
ପ୍ରତାପି ମହୀଷା ।
କି କରିଛି ଅନ୍ୟାୟ ସେ କାହିଁ ?
ମୋ ବିଚାରେ-
ଅବିଚାର କରିଛନ୍ତି ଦେବେ,-
କରୁଥିବେ ଚିରଦିନ ମଧ୍ୟ;
କେ ସହିବ ଥାଉଁ ଥାଉଁ ଶରୀରେ ଶକତି ?
ଆଉ, କହ ତୁମ୍ଭେ ସେନାପତି !
କାହିଁକି ବା ସହିବ ସେ ?
ଚାହିଁରହି ନୟନ ସମ୍ମୁଖେ, ଦେଖୁଥିବ-
ଦେବତାର ଅତୁଟ ଗୌରବ !
ବିଶ୍ୱସୃଷ୍ଟି ନୁହେ ଖାଲି
ଦେବତାର ଲାଗି ।
ଏ ସ୍ୱରଗ, ଏ ନନ୍ଦନକାନନ,
ପାରିଜାତ, ଐରାବତ, ଅପ୍ସରାଭୁବନ-
ଏ ସମସ୍ତ ଦୈବ-ସୃଷ୍ଟି,
ଦେବ ଲାଗି ଖାଲି ?
କି ସାହସେ ତୁମେ ଆସି
କହୁଅଛ ମୋତେ ସେନାପତି !
ଉପସ୍ଥିତ ମହୀଷାର ପତନର କାଳ ?
ଉପାୟ କରିବି ମୁହିଁ ।
ଚକ୍ରଧର, ବଜ୍ରଧର ଅବା ଶୂଳଧର
ନାହିଁ, ନାହିଁ ଶକତି କାହାରି
ମହୀଷାରେ କରେ ପରାଜିତ ।
ଗୁରୁ ତାର ଶୁକ୍ରାଚାର୍ଯ୍ୟ ।
ଗୁରୁ ଆଶୀର୍ବାଦ ଶିରେ ତାର ।
ନ ହୁଅ ଅଧୀର ।
ମନ୍ତ୍ରପୂତ ଅସ୍ତ୍ର ମୁହିଁ
କରିଛି ପ୍ରସ୍ତୁତ ।
ସାମାନ୍ୟ ପରୀକ୍ଷା ବାକି-
ଘେନିଯିବ ମହୀଷାର ପାଶେ, ରହ ଦଣ୍ଡେ ।
( ଶୁକ୍ରାଚାର୍ଯ୍ୟ ପ୍ରସ୍ଥାନ )
ସେନାପତି- ଯଥା ଆଜ୍ଞା ଗୁରୁଦେବ !
ଅଶୁଭ ଶକୁନ ଦେଖି
ଅହର୍ନିଶି କମ୍ପଇ ମୋ ଛାତି;
ତେଣୁ ରାଜାଦେଶ ଘେନି
ଅସମୟେ ଭେଟିଛି ମୁଁ
ଗୁରୁଦେବ ପଦେ ।
ବହୁରଣ, ବହୁବାର ବହୁବୀର ତୁଲେ
କରିଛି ମୁଁ ଏ ଜୀବନେ ମୋର ।
କିନ୍ତୁ ଏ ସମର !
ମନେହୁଏ-ଏ ସମରେ
ଶକ୍ତିହୀନ ସର୍ବେ ।
ଶୁକ୍ରାଚାର୍ଯ୍ୟ- ( ନେପଥ୍ୟରୁ ) ସେନାପତି !
ସେନାପତି- ଆଜ୍ଞା ହେଉ ଗୁରୁଦେବ ! ( ଶୁକ୍ରାଚାର୍ଯ୍ୟ ଅସ୍ତ୍ରହସ୍ତେ ପ୍ରବେଶ କଲେ )
ଶୁକ୍ରାଚାର୍ଯ୍ୟ- ଶୁଭ ବାର୍ତ୍ତା ।
କୃତକାର୍ଯ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ।
ତେଜ ମନୁ ଚିନ୍ତା ।
ଜାଣନା କି ତୁମ୍ଭେ
ମହୀଷାର ଶିରେ ମୋର
ଆଶୀର୍ବାଦ କର
ସଞ୍ଚରେ ସନ୍ତତ ?
ଦୂର କର ଯେତେ ଦୁର୍ଭାବନା,
ହୁଅ ହେ ନିର୍ଭୟ ।
ସେନାପତି- ( ଶିରେ କର ରଖି )
ଜୟ ଦୈତଗୁରୁ !
ବନ୍ଦେ ଚରଣପଙ୍କଜ ।
ଆଶୀର୍ବାଦ କର ଗୁରୋ !
ପୂରୁ ମନୋରଥ-
ପ୍ରଣତି ଶ୍ରୀପଦେ ।
ଶୁକ୍ରାଚାର୍ଯ୍ୟ- ସରିଛି ପରୀକ୍ଷା ।
ବହୁକଷ୍ଟେ ଆବିଷ୍କୃତ
ଶକ୍ତି-ମାରଣର ଅସ୍ତ୍ର,
ଘେନିଯାଅ ସାବଧାନେ ।
ଜଣାଅ ମହୀଷାସୁରେ
ଇନ୍ଦ୍ରାଦି ଦେବତା ଛାର-
ସ୍ୱୟଂ ମହେଶ୍ୱର, ବ୍ରହ୍ମା,
ଅବା ଚକ୍ରଧର-
ନପାରିବେ କରି ପ୍ରତିକାର । ( ଝରକାବାଟେ ଦୁଇଟି ନାରୀମୂର୍ତ୍ତି ଦିଶିଲେ )
ସେନାପତି- ( ଘର ଭିତରକୁ ଚାହିଁ ) କିଏ ?
ଶୁକ୍ରାଚାର୍ଯ୍ୟ- କାହିଁ ?
ସେନାପତି- ଦୁଇ ଜଣ ନାରୀ ।
ମନେ ହେଲା, ଶୁଣୁଥିଲେ
ମନ୍ତ୍ରଣା ଆମ୍ଭର ।
ଶୁକ୍ରାଚାର୍ଯ୍ୟ- ନାରୀ !
ରସାୟନକକ୍ଷେ ମୋର ନାରୀର ଦର୍ଶନ !
ଅସମ୍ଭବ ।
ସେନାପତି- ଭ୍ରମ ହେଲା ମୋର ?
ଦେଖିଛି ମୁଁ
ଚପଳାବେଗରେ ବେନି ନାରୀ ଗଲେ ଚାଲି;
ମନେ ହେଲା-
ଶୁଣୁଥିଲେ କାନ ଡେରି କଥା ।
ଶୁକ୍ରାଚାର୍ଯ୍ୟ- ( ହସି ହସି )
ଭ୍ରମ !
ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ରସାୟନକକ୍ଷେ-ନାରୀ !
ଏ ସାହସ ଅସମ୍ଭବ ।
ଖଳ ସେ ନାରଦ ।
କହି ନାନା କଥା
ଦାନବର ମନେ
ଆତଙ୍କ କରିଛି ସୃଷ୍ଟି ।
ଜାଣିନାହିଁ, ଶୁକ୍ରାଚାର୍ଯ୍ୟ ଦାନବର ଗୁରୁ ।
ଏକ ନାରୀକଥା କହି,
ମହାବୀର ମହୀଷାର ମନେ ଦେଇଅଛି ଭୀତି ।
ଆଉ ତୁମ୍ଭେ ଯେତେ ଅସୁରପ୍ରଧାନ-
ତୁମ୍ଭେ ମଧ୍ୟ ନୟନ ଅଗ୍ରତେ
ଦେଖି ସେହି ଛାୟାରୂପୀ ନାରୀ-
ହୁଅ ଆତଙ୍କିତ ।
ସେନାପତି- ପ୍ରତ୍ୟକ୍ଷ ଦେଖିଲି ମୁହିଁ ।
ନାରୀମୂର୍ତ୍ତି ବେନି-
ଶୁକ୍ରାଚାର୍ଯ୍ୟ- ( ହସି ) କାହିଁ ? ଆମ୍ଭଙ୍କୁ ଦିଶିଲା ନାହିଁ ?
ସେନାପତି- ତଥାପି ହେ ଗୁରୋ !
ସନ୍ଦେହ ନ ଯାଏ ମନୁ !
ଶୁକ୍ରଚାର୍ଯ୍ୟ- ମରଣ ପୂର୍ବରୁ, ଭୀରୁ-
ବହୁବାର ଶୁଣିଥାଏ ମରଣର ଡାକ ।
ପ୍ରଳାପର ନାହିଁ ଅବସର ।
ଶକ୍ତି-ମାରଣାର ଅସ୍ତ୍ର-
ବହୁ ଯତ୍ନେ, ବହୁ କ୍ଳେଶେ, ହୋଇଛି ପ୍ରସ୍ତୁତ ।
ତିନିପୁରେ ନାହିଁ ପ୍ରତିପକ୍ଷ ।
କିନ୍ତୁ ପ୍ରୟୋଗର ବିଶେଷତ୍ୱ ଶୁଣ-
ପ୍ରୟୋଗ ପୂର୍ବରୁ
ନାରୀ ଯେବେ ପରଶିବ ଅସ୍ତ୍ର,
କିମ୍ବା କରେ ଥାଇ ଅସ୍ତ୍ର,
ଯେବେ ଅସ୍ତ୍ରଧାରୀ ପରଶିବ ନାରୀ,-
ବିଫଳ ହୋଇବ ଅସ୍ତ୍ରଗୁଣ ।
ସେନାପତି- ( ଚମକି ) ନାରୀ !
ନାରୀ ପରଶିଲେ-
ଅସ୍ତ୍ର ଗୁଣ-ହୀନ ହେବ !
କିନ୍ତୁ ଗୁରୁଦେବ !
ଶତ୍ରୁ ରୂପେ ସେ ଯେ-ନାରୀ !
ଶକ୍ରାଚାର୍ଯ୍ୟ- ଏଥିପାଇଁ ଜନଶ୍ରୁତି-
ମ୍ଳେଚ୍ଛ ଦାନବର ଦଳ ବୁଦ୍ଧିହୀନ ବୋଲି,
ଅକର୍ମଣ୍ୟ ଜୀବ !
ନିଜେ ମୁହିଁ ଯିବି ରାଜପୁରେ ।
ଯାଅ ।
( ଶୁକ୍ରାଚାର୍ଯ୍ୟ ଘର ଭିତରକୁ ଗଲେ ସେନାପତିର ପ୍ରସ୍ଥାନ-ପ୍ରବେଶ କଲେ ମେଘମାଳା ଓ ଜଣେ ପରିଚାରିକା )
ମେଘମାଳା- ଶଣିଲୁ ତ-
ଶୁକ୍ରାଚାର୍ଯ୍ୟ କହିଲେ ଯା ମୁଖେ ?
ଜାଣୁନାହିଁ, କି ଉପାୟେ
ରକ୍ଷା ହେବ ଶଚୀର ମହତ୍ତ୍ୱ !
ଦିନେ ମାତ୍ର ଅଛି ଅବସର ।
ଡର ଲାଗେ ଶୁଣି ଅସ୍ତ୍ରକଥା ।
ପରିଚାରିକା - ଫେରି ଚାଲ ଦେବୀ, ରାଜପୁରେ ।
ଶୁକ୍ରାଚାର୍ଯ୍ୟ ବିଷମ-ପୁରୁଷ ।
ନିରାପଦ ନୁହେଁ ଏଥି ରହିବାର ଦଣ୍ଡେ ।
ମେଘମାଳା- ଚାଲ, ଚାଲ,
ବିଳମ୍ବରେ ବିପଦ ସମ୍ଭବ । ( ଦୁହେଁ ଚାଲିଗଲେ )
( ଶୁକ୍ରାଚାର୍ଯ୍ୟ ପୁଣି ଆସି ସନ୍ଦେହ ଦୃଷ୍ଟିରେ ଦେଖିଲେ ଚାରିଆଡ଼କୁ; ତା ପରେ ଚାଲିଗଲେ )
ପଟ୍ଟକ୍ଷେପ
( ମହୀଷାସୁର ଶୋଇ ସ୍ୱପ୍ନ ଦେଖୁଥିଲେ- ଘରେ ସ୍ତିମିତ ଭାବରେ ଜଳୁଛି ପ୍ରଦୀପ । ମହୀଷାସୁରଙ୍କୁ ଦେଖାଯାଉଥିଲା-ଚାରିଆଡ଼େ ନାରୀମୂର୍ତ୍ତି । )
ମହୀଷା- କିଏ ? ଶଚୀ ?
ଆସ ଲୋ ସୁନ୍ଦରୀ !
ଧନ୍ୟ କର ହିଆ ମୋର ସଖି !
ଅଭିମାନେ କାହିଁ ପଳାଉଛ ବିଧୁମୁଖୀ ?
ଶଚୀ- ଶଚୀ !
( ଉଠି ପଡ଼ିଲେ-ଚାରିଆଡ଼କୁ ଚାହିଁ ଦେଖିଲେ-କେହି ନାହିଁ । ସ୍ୱପ୍ନର ଛାୟା-ଛବି ସେତେବେଳକୁ ଲୁଚିଗଲାଣି )
ନା, ନା; ଭ୍ରମ ମୋର-
ନୁହେ ଶଚୀ-
ସ୍ୱପ୍ନ; ଯେ ରାଜ୍ୟର ଛାୟା ଆସି-
କାୟା ମେଲି ଭୁଲାଏ ଜଗତ ।
ମାୟାର କୁହୁକ !
ଶଚୀ କାହିଁ ଆସିବ ଏଠାକୁ ?
ସ୍ୱାର୍ଥଲାଗି ମେଘମାଳା,
ବାଧାଦିଏ ମିଳନେ ତାହାର ।
ଦିନେମାତ୍ର ଅବସର ଆଉ ।
ପ୍ରଭାତିଲେ ନିଶି-
ମେଘମାଳା ସମର୍ପିବ ଶଚୀ ମୋର କରେ ।
ଲଙ୍ଘିଲେ ଆଦେଶ-
ଘାତକର କରେ-ଲିଭିଯିବ ମେଘମାଳା ନାମ ।
ଅଶାନ୍ତ ହୃଦୟ ! ଧର ଧୈର୍ଯ୍ୟ ।
ଅଦ୍ୟାପି ରଜନୀ ନୁହେ ଶେଷ ।
ସ୍ୱପ୍ନ ଦେଖି ମଣ ନାହିଁ ସତ୍ୟ । ( ଶଯ୍ୟା ଗ୍ରହଣ କଲେ )
(ଅଳ୍ପକାଳ ପରେ ଛାୟାରୂପ ଦେଖାଦେଲା । ଚାରିଆଡ଼େ ଗଛପତ୍ର ସଜୋରେ ଦୋହଲିଗଲା- ଝଡ଼ ଝଞ୍ଜା, ବିଦ୍ୟୁତ୍, ମେଘଗର୍ଜନ, ନାନା ଅଶୁଭ-ସୂଚକ ଶଦ୍ଦ ଶୁଣି ମହୀଷାସୁର ପୁଣି ଗର୍ଜିଉଠିଲେ )
ଏ କିଏ ସେ-
ଭୁବନମୋହିନୀ ବାମା;-
ଶଚୀ ଛାର ସୁନ୍ଦରପଣରେ ।
ଏ କି ସେହି ନାରୀ ?-
କହୁଥିଲେ କଥା ଯାର ସେ ଦିନ ନାରଦ ?
ମନ୍ତ୍ରୀ କହେ- ସିଂହର ବାହନେ
ଅସୁରବାହିନୀ ଦଳେ ବଳେ !
ତୁ କି ସେହି ନାରୀ ?
ମଣୁଥିଲି ସ୍ୱପ୍ନର ଛଳନା ବୋଲି;
ନା, ନା, ଚେତନେ ମୁଁ ପାଇଛି ତା ଦେଖା ।
ସିଂହର ଗହ୍ୱରେ ଆସି-
ପ୍ରଳୟ ମତାଇ, ଯିବୁ ଫେରି ?
ମାହିଁ ଗଲା ଗୁରୁଦତ୍ତ ମାରଣାର ଅସ୍ତ୍ର ?
କାହିଁ ?
( ଶଯ୍ୟାତଳୁ ଶର କାଢ଼ି ଉଠିଲେ ମହୀଷାସୁର )
ରହ ନାରୀ ! ଦେଖିବି ମୁଁ କାହିଁ ତୁ ଲୁଚିବୁ ।
( ଯିବାକୁ ବସିଲେ )
( ସହସା ମେଘମାଳାର ପ୍ରବେଶ )
ମେଘମାଳା- ଏ କି କଥା ! ଏ କି କର ଜୀବିତଈଶ୍ୱର ?
କାହିଁ ଯାଅ ?
ଅଦ୍ଧ ନିଶି;
ପ୍ରଭଞ୍ଜନ ପ୍ରଳୟ ଗରଜେ ।
କରେ ଘେନି ମାରଣାର ଅସ୍ତ୍ର
କାହିଁ ଯାଅ ଏକା ପ୍ରଭୁ,
ଶଯ୍ୟା ତେଜି ପ୍ରଭାତ ନୋହୁଣୁ ?
ମହୀଷା- ଦୂର ହୁଅ ପାପୀୟସୀ !
ଛଳକରି ରଖିଛୁ ଶଚୀରେ ।
ଭାବିଅଛୁ ରଖିବୁ ତୁ ପୁଣି
ଲୁଚାଇ ନୟନୁ ମୋର
ସୁନ୍ଦରୀରେ ଆଜି ? ( ଠେଲିଦେଇ )
ଦୂର ହୁଅ ପଥର କଣ୍ଟକ ମୋର । ( ଚାଲିଗଲେ )
ମେଘମାଳା- ଏ କି ହେଲା ? ଏ କି କଲ ଦଇତ-ଈଶ୍ୱର ?
କରେ ଥାଉଁ ଗୁରୁଦତ୍ତ ଅସ୍ତ୍ର
ପରଶିଲ ଅବଳାର ତନୁ ?
ଦେବୀ ! ଶକ୍ତିମୟୀ !
ଇଚ୍ଛା ତୋର ପୂର୍ଣ୍ଣ ହେଉ ମାତା ! ( କର ଯୋଡ଼ି ପ୍ରଣାମ କଲେ )
( ନାରଦ ଗାଇ ଗାଇ ଆସୁଥିଲେ )
ଜାଗୃହୀ, ଭଗବାନ୍ ! ଜାଗୃହି, ଜାଗୃହୀ, ଭଗବାନ୍ !
କାଳ କରାଳ ବିଶାଳ କଳେବର
ମହାପ୍ରଳୟ ଜୟ ହେ ଜଗଦୀଶ୍ୱର
ଜାଗ, ଜାଗ ବରଦଣ୍ଡ-ଚକ୍ରଧର
ପରମେଶ୍ୱର-କରୁଣାକର-କମଳାବର-ଜାଗୃହି !
( ଇନ୍ଦ୍ର ଓ ଶଚୀ ପ୍ରବେଶ କରି ପ୍ରଣାମ କଲେ )
ଇନ୍ଦ୍ର- ପ୍ରଣାମ ଦେବର୍ଷେ !
ନାରଦ- ନାରାୟଣ ! ନାରାୟଣ !
ଦେବରାଜ ଦେବରାଣୀ ସଙ୍ଗେ-
ଭଲ ବେଳେ ସାକ୍ଷାତ ମିଳିଲା ।
ଯାଉଥିଲି ଦେବାକୁ ସମ୍ବାଦ ।
ଇନ୍ଦ୍ର- କି ସଂବାଦ ମହର୍ଷି ନାରଦ !
କେତେକାଳ ଆଉ
ହାହାକାର ପଡ଼ୁଥିବ ସ୍ୱର୍ଗେ ?
ଧର୍ମ୍ମ ଗଲା, କର୍ମ୍ମ ଗଲା; ବୁଡ଼ିଲା ଗୌରବ ।
ଏବେ ମଧ୍ୟ ନ ସରେ ଦୁର୍ଗତି ?
ନାରଦ- ଦୁର୍ଗତି-ନାଶିନୀ ଜୟା
ଭୁବନମୋହିନୀରୂପେ
ଦେଇଛନ୍ତି ଦେଖା ଆଜି ମହୀଷା ଦାନବେ ।
ଦୁର୍ମତିର ସଂକଟ ନିକଟ ।
ଶୁଭ ବାର୍ତ୍ତା ଭେଟିବାକୁ ଯାଉଥିଲି ପାଶେ ।
ଶଚୀ- ମହୀଷାର ଜୀବନ ସଂକଟ ?
କିନ୍ତୁ ପତ୍ନୀ ତାର ମେଘମାଳା-
ମୁକ୍ତି ମୋର ତାହାରି କୌଶଳେ
ଦେବରାଜ !
ମରିବ ରାକ୍ଷସ
ଶାନ୍ତ ହେବ ଧରା ।
ମାତ୍ରା ଭାବିଲେ ସେ କଥା-
ଘୂରିଉଠେ ମଥା ମୋର,
ଏକା ମେଘମାଳା ଲାଗି ।
କି ହେବ ସେ ସରଳାର ଲାଗି।
କି ହେବ ସେ ସରଳାର ଗତି ?
ନାରଦ- ( ହସି ) ସୁରେନ୍ଦ୍ରାଣୀ !
ତିନିପୁର ପ୍ରପୀଡ଼ିତ ଦାନବ ଦଳନେ ।
ବିଶ୍ୱମ୍ଭରା କମ୍ପେ ଥରଥର,
ଦେବଘରେ ଜାଗର ରଜନୀ ବିତେ ।
ଶିଶୁ, ଯୁବା-ଅବିଚାରେ
ନିର୍ମୂଳ, ନିର୍ବଂଶ କରେ
ଦାନବର ବଳ ।
ସ୍ୱୟଂ ଦେବରାଣୀ
ନୁହନ୍ତି ପୀଡ଼ନ-ମୁକ୍ତ ।
ବିଶ୍ୱ-ବିଧାତାର ଏକ ନିକୃଷ୍ଟ ସର୍ଜ୍ଜନା-
ଅର୍ଥ ଆଉ ସ୍ୱାର୍ଥଲାଗି
ଭ୍ରାତୃରୂପେ, ବନ୍ଧୁ ରୂପେ
ଜନ୍ମାଇ ପ୍ରତ୍ୟୟ, କରେ ନିରୀହର ହତ୍ୟା ।
ମନର ବାସନା ତାର-
ପବିତ୍ର ଏ ଦେବଭୂମି,
କରି ଖଣ୍ଡ-ବିଖଣ୍ଡିତ,
ଦାନବର ଭୋଗ୍ୟଯୋଗ୍ୟ ହେବ ।
ଇନ୍ଦ୍ର- ହଁ ହଁ, ସେହି ଉପଦେଶ ଦିଏ ପରା
ଏକଚକ୍ଷୁ ଗୁରୁ ଶୁକ୍ରାଚାର୍ଯ୍ୟ ?
ଏକଦେଶଦର୍ଶୀ-
ଯେ ଦିଗ ନୟନ ଯାଏ, ସେହି ତାର ପନ୍ଥା ।
ନାରଦ- ଯାହାଲାଗି ପଡ଼େ ହାହାକାର,
ଅତ୍ୟାଚାର-
କଳ୍ପନା ବାହାରେ-
ଦୂରେ ଥାଉ ଦେଖିବା ନୟନେ,
ଶ୍ରବଣରେ ହୃତ୍କମ୍ପ ଜାଗଇ;
ଚରାଚର ଧୂଳିକଣା ନିତି ଯାର ମରଣ କଳପେ,
ସେହି ମହୀଷାର ଆସନ୍ନ ସଂକଟେ
ଏ କି କଥା ମୁଖେ ତବ ଦେବୀ ?
ଅନ୍ତରେ ବହଇ ତବ କରୁଣାର ଧାରା,
ନୟନର କୋଣେ
ଦିଏ ଦେଖା ନାରୀର ମହତ୍ତ୍ୱ !
ଯେଉଁ ନାରୀ- ସର୍ବଶକ୍ତିମୟୀ
ଜନମ ଲଭିଛି ପୁଣି ମହୀଷା ମାରଣେ-
ରଣଚଣ୍ଡୀରୂପେ ?
ଧନ୍ୟ ସୃଷ୍ଟି !
ଶଚୀ- ହେ ନାରଦ !
ଶୀତଳରେ ଉଷ୍ମ-ଗୁଣ ସହଜ ସମ୍ଭବ ।
ନୁହେଁ ମୂଁ ବ୍ୟଥିତା କେବେ
ଦାନବର ଲାଗି ।
ବାଧେ ମୋତେ- ନାରୀର ବେଦନା ।
ମେଘମାଳା ନିତାନ୍ତ ସରଳା
ସ୍ନେହମୟୀ, ଦୟାମୟୀ ନାରୀ ।
ନାରଦ- ଚିନ୍ତା ତେଜ ଦେବି !
ମେଘମାଳା-
ଦାନବର ପତ୍ନୀ-ଭାଗ୍ୟଦୋଷେ ।
ରାକ୍ଷସ-ପ୍ରକୃତି ଘେନି ନୁହେଁ ତା ଜନମ ।
ଶକ୍ତିର ସେବିକା-
ଶକ୍ତିମୟୀ ଚରଣରେ ଆଶ୍ରୟ ଲଭିବ ।
ଆସ ଦେବରାଜ !
ନିରେଖିବା ଶକ୍ତିମୟୀ ଜୟା,
ଭୁବନମୋହିନୀରୂପେ,
ବିଜୟ ସିଂହବାହନେ
ଦାନବ ଦଳନେ ।
( ଦୂରରୁ ଶୁଭୁଛି ଆର୍ତ୍ତନାଦ, କଷାଘାତ, କ୍ରନ୍ଦନ ଇତ୍ୟାଦିର ଶଦ୍ଦ । ମହୀଷାସୁର ଆସୁଛନ୍ତି-ଦୂରରୁ କହି କହି...)
ମହୀଷା- କାହିଁ ?
ଦେଖିଛି ମୁଁ ଥିଲା ଏହିଠାରେ ।
ଅଙ୍ଗର ମହକେ ତାର
ଭରିଉଠେ ଦିଗଦିଗନ୍ତର ।
ବସନ୍ତର ଛବି ଧରି ପ୍ରକୃତି ହସଇ ।
ମାୟା-ମରୀଚିକା ସରି
ଚାହୁଁ ଚାହୁଁ ଯାଏ ଲୁଚି କାହିଁ ?
ମନେହୁଏ- ଧରିଲି ଧରିଲି ;
ଧରା ଦେଉ ଦେଉ କାହିଁ ପଳାଏ ସେ ଦୂରେ ?
ଅଦ୍ଭୁତ ରମଣୀ ।
ଥକିଲିଣି ପଛେ ପଛେ ଧାଇଁ ।
( ଗୋଟିଏ ପଥର ଉପରେ ବସି ଝାଳ ପୋଛିଲେ )
ଏ କି କଥା ? ଘର୍ମ୍ମବିନ୍ଦୁ !
ପରିଶ୍ରାନ୍ତ ମହୀଷା ଦାନବ !
କେହି କେବେ ଦେଖିନାହିଁ ଯାହା-
ସପନ ନୟନେ ସୁଦ୍ଧା ।
ପଳାଇଲା ଆଜି ତାହା
ଛାର ଏକ ଅବଳାର ଶକ୍ତି ? ( ଉଠି )
କାହିଁ ଯିବୁ ?
କାହିଁ ତୁ ଲୁଚିବୁ କହ ଭୁବନମୋହିନୀ ବାମା !
ନପୂରିବ ମହୀଷାର ମନର ବାସନା !
ଅସମ୍ଭବ ।
ଦେଖିବି ମୁଁ ପଳାଇବୁ କାହିଁ । ( ହଠାତ୍ ଦିଶିଲା ଗୋଟିଏ ଜ୍ୟୋତି )
ଏ କି ହେଲା ?
ପୋଡ଼ିଯାଏ, ଜଳିଯାଏ ଅଙ୍ଗ ।
ନା-ନା-;
ଚନ୍ଦନୁ ଶୀତଳ ଲାଗେ ତେଜର ପରଶ ।
ଏ କି ସେହି ମୋହିନୀର ମାୟା ?
( ତେଜ ମୋହିନୀ ରୂପ ଧରିଲା )
ମୋହିନୀ- ମାୟା ନୁହେଁ-ଏଇ ତ ମୋ କାୟା ।
ଚାହିଁ ଦେଖ
ତୁମ୍ଭ ଲାଗି ଜନମ ମୋହର ।
ମିଥ୍ୟା ନୁହେଁ-
ଏକା ତୁମ୍ଭଲାଗି ଏହି କାୟା ମୋର ।
ମହୀଷା- ମୋହ ଲାଗି ?
ମୋହଲାଗି ଏ ସୁନ୍ଦର କାୟା !
ତେବେ ଛଳନା କାହିଁକି ଆଉ ?
ଦୂରେ ଦୂରେ କାହିଁପାଇଁ ରହ ଲୋ ସୁନ୍ଦରି !
ମୋହିନୀ- ଧରିଲେ ତ ଧରାଦେବି ମୁହିଁ ।
ମହିଷା- ପୁଣି ସେହି କଥା ? ( ଧରିବାକୁ ଗଲା )
ମୋହିନୀ- (ଅଟ୍ଟହାସ୍ୟ ହସିଲେ)
ମହୀଷା- କାହିଁକି ଏ ଅଟ୍ଟହାସ୍ୟ ସଖି !
ମୋହିନୀ- ହସ ଲାଗେ ଦେଖି ତୁମ୍ଭ ଅପାରଗପଣ ।
ଭୁବନବିଜୟୀ ବୀର ମହୀଷା ଦାନବ-
ଧରି ନ ପାରିଲ ଛାର ଅବଳାରେ ତୁମ୍ଭେ ?
ମସ୍ତକ ନିଗିଡ଼ି ପଡ଼େ ଘର୍ମ ବିନ୍ଦୁ ବିନ୍ଦୁ !
ଅବସନ୍ନ ତୁମ୍ଭେ ବୀର- ରକ୍ଷ-କୁଳପତି ?
ମହୀଷା- ତୁମ୍ଭେ ଯେ ନଦିଅ ଧରା, ବୁଲ ଫେରି ଫେରି ଏ କି ତବ ପ୍ରେମର ଗୌରବ ?
ମୋହିନୀ- ଦୋଷ ମୋର ତିଳେ ନାହିଁ ବୀର !
ଦେବ-କୂଟ, ଦେବ-ମାୟା;
ନ ଜାଣ କି ଦେବାତାଏ ଭଗାରି ତୁମ୍ଭର ?
ଯେତେ ବାଧା ଦିଅନ୍ତି ସେମାନେ ।
ପାଶେ ପାଶେ ମୋର-
ଘେରାଏ ସେ ରଖିଛନ୍ତି
ନାଗିନୀ, ଯୋଗିନୀ, ଚଣ୍ଡୀ, ଚାମୁଣ୍ଡା, ଭୈରବୀ ।
ସହଚରୀରୂପେ ଅଦୃଶ୍ୟରେ ଥାଇ
ସେମାନେ ତ ଓଗାଳନ୍ତି ପଥ ମୋର ସଦା ।
କିପରି ମୁଁ ଦେବି ଧରା କହ ?
ମହୀଷା- ନିର୍ଲ୍ଲଜ୍ଜ ଦେବତା !
ବାଧା ହେବେ ମୋର ?
ଜାଣି କି ନାହାନ୍ତି ସେ ମୋ ବଳ ପରାକ୍ରମ ?
ଆଉ କାହିଁ ଗଲେ ?-
କାହିଁ ଛନ୍ତି ଲୁଚି ସେହି
ଗୁପ୍ତ ସହଚରୀ ତବ ?
ମୋହିନୀ- କହିଲି ତ-
ଛାୟାପରି ପାଶେ ପାଶେ ରହି
ଦେଉଛନ୍ତି ବାଧା ନିରନ୍ତର ।
ମହୀଷା- ବାଧା ?
କାର ସାଧ୍ୟ ?
କିଏ ହେବ ବାଧା ମୋର କାମନା ପୂରଣେ ?
ଆସ, ଆସ ଲୋ ସୁନ୍ଦରି !
ଆସ ମୋର ହୃଦୟର ରାଣି !
ଦେଖିବି ମୁଁ କିଏ ରୋଧେ ପଥ ତୋର ସଖି !
କାର ଏଡ଼େ ଶକ୍ତି ?
ଦେବକୂଟ !
ଜାଣି ସେ ନାହାନ୍ତି ପରା
ଶକ୍ତି-ମାରଣର ଅସ୍ତ୍ର ଅଧିକାରୀ ମୁହିଁ ।
ଆସ ଚାରୁହାସି !
ମୋହିନୀ- ନା ନା, କିପରି ମୁଁ ଯିବି ?
ଦିଶୁନାହିଁ ? ଦେଖୁନାହଁ ବୀର !
ଏଇ ତ ରୋଧନ୍ତି ପଥ ସହଚରୀଗଣ ।
ଘେରି ଚଉକତି ।
ମହୀଷା- ସହଚରୀଗଣ ?
ଦିଅନ୍ତି ସେ ବାଧା ଲୁଚି ନୟନରୁ ମୋର ?
ଉତ୍ତମ । (ଶକ୍ତି-ମାରଣର ଅସ୍ତ୍ର କାଢି)
ଗୁରୁଦତ୍ତ ଏହି ମୋର ଦୁନିର୍ବାର ମାରଣର ଅସ୍ତ୍ର କରୁଛି ପ୍ରୟୋଗ ।
ଦାବାନଳ ସରି ଯାହା ଦହି ତ୍ରିଭୁବନ-
ଦଣ୍ଡକରେ କରିବ ପ୍ରଳୟ ।
(ଶର ଯୋଜନା କଲେ; କିନ୍ତୁ ତାହା ତଳେ ପଡ଼ିଗଲା । ଚାରିଆଡ଼େ ନାରୀମୂର୍ତ୍ତୀ ଦେଖାଦେଲେ- ଅଟ୍ଟହାସ୍ୟ କରି ପୁଣି ଉଭାଇଗଲେ ।)
ମୋହିନୀ- (ହସି) ଛି, ଛି, ଏଇ ଶକ୍ତି ଧରି ପରା-
ବୋଲାଉଛ ଭୁବନବିଜୟୀ ବୀର !
ଅବଳାର ଅଟ୍ଟହାସ୍ୟେ ପଡ଼ୁଚ ଚମକି ?
ଲଜ୍ଜା ନାହିଁ ?
ଛାର ନାରୀଲାଗି ପୁଣି
ଆବାହନ କର ତୁମ୍ଭେ ମାରଣର ଅସ୍ତ୍ର ?
ମହୀଷା- ବୁଝିଲି ମୁଁ ଦେବତାର ମାୟା;
ଜୀବନର ଲକ୍ଷ୍ୟ କିନ୍ତୁ-
ଧରିବି ମୁଁ ଲୋ ସୁନ୍ଦରୀ ତୋତେ !
ଦେଖେଁ, କିଏ ଦେବ ମୋତେ ବାଧା ।
(ଦଉଡ଼ିଯାଇ କାନି ଧରିପକାଇଲା)
ଆସ, ଆସ, ସୁବଦନି !
(ଅନ୍ଧାର ହେଲା ଚତୁର୍ଦ୍ଦିଗ- ପ୍ରଳୟର ଝଞ୍ଜା ଦେଖାହେଲା- ବାଜି ଉଠିଲା ଦୂରରେ ଟମକ ନାଗରା, ଶୁଣାଗଲା ପୀଡ଼ିତର ଚିତ୍କାର-ମୋହିନୀଙ୍କ ରୂପ ବଦଳିଗଲା ।)
ଏ କି ଦୃଶ୍ୟ !
ମୋହିନୀ-(ଅଟ୍ଟହାସ୍ୟ)
ମହୀଷା- ଓଃ, ଓଃ ! (ଆଖି ଫେରାଇ କାନି ଛାଡ଼ିଦେଲେ)
ସମ୍ବରଣ କର, ସମ୍ବରଣ କର ସଖି,
ପ୍ରଚଣ୍ଡ ମୂରତି ।
ଅସହ୍ୟ, ଅସହ୍ୟ ତୋ ନୟନର ତେଜ ।
ମୋହିନୀ- (ହସି)
ଏ କି କହ ଦୈତ୍ୟରାଜ !
ସହି ନ ପାରୁଛ ଛାର
ପ୍ରେୟସୀର କଟାକ୍ଷ ମାତର ?
ତ୍ରୈଲୋକ୍ୟବିଜୟୀ ତୁମ୍ଭେ ।
କାତରତା ଅସୁନ୍ଦର ତୁମ୍ଭ ପକ୍ଷେ ବୀର !
ମହୀଷା- ମାୟା, ମାୟା !
ବୁଝିଲି ମୁଁ ଦେବ-କୂଟ ସବୁ ।
ଏ ମାୟା କରିବି ଧ୍ୱଂସ ।
(ଅସ୍ତ୍ର କାଢିଲେ)
ମୋହିନୀ- (ହସି) ମନ୍ତ୍ରପୂତ ଶକ୍ତି ମାରଣର ଅସ୍ତ୍ର !
ରଖ ବୀର ।
ରଖ ତାକୁ ତୁଣୀରେ ସାଇତି ।
ବ୍ୟର୍ଥ ତାହା ଅବଳା ପରଶେ ।
ମହୀଷା- ଉତ୍ତମ ।
ବ୍ୟର୍ଥ ସିନା ନିର୍ଜୀବ ଏ ବାଣ —
ଅଦ୍ୟାପି ତ ନୁହେଁ ଶକ୍ତିହୀନ କେବେ
ନାରୀର ଦର୍ପ-ମର୍ଦ୍ଦନେ-
ଶକ୍ତିମନ୍ତ-
ବାହୁଯୁଗ ମୋର ।
ଆସ, ଆସ ଲୋ ପ୍ରେୟସୀ !
ପାତିଛି ମହୀଷା ତାର-
ହୃଦୟର ହୈମ-ସଂହାସନ ।
ବିଳମ୍ବ ନ ସହେ ଆଉ ।
ଦେଖି କିଏ ଦିଏ ବାଧା
ମହୀଷାର କାମନା ପୂରଣେ ।
(ବାହୁ ମେଲାଇ ଛାତି ଦେଖାଇଲା ଓ ଜୟାଙ୍କୁ ଆକର୍ଷଣ କରନ୍ତେ ସହସା ସିଂହବାହିନୀରୂପେ ଦଶଭୂଜା ଦେଖାଦେଲେ)
ମୋହିନୀ- ଏଇ ଘେନ ରକ୍ଷରାଜ,
ମୋହିନୀର ପ୍ରୀତି-ଉପହାର !
ଶାନ୍ତ ହେଉ ଧରଣୀର ବକ୍ଷ ।
(ଶୂଳ ପ୍ରହାର)
ମହୀଷା- (ବିକଳରେ ଛାତି ଚିପି)
ଓଃ ! ଜୟା, ଦୁର୍ଗା, ଜନନୀ !
ବହୁ ଆକାଂକ୍ଷିତ ମୋର
ଏ ପରଶ ମାତା !
ଚରରର ରଜ ଦିଅ ଶିରେ;
ଲିଭିଯାଉ କଳୁଷ-କଳଙ୍କ।
ଦୁର୍ଗା-ଜୟ ଦୁର୍ଗା-ଜୟ ଦଶଭୂଜା !!!
(ମୃତ୍ୟୁ)
ନେପଥ୍ୟ- ଯେ ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।
(ପ୍ରବେଶ କଲେ ଦେବ ଓ ଦେବୀ ପୁଷ୍ପମାଳା ଘେନି)
ଜନନୀ ଜୟ ଜୟ ସକଳ ସୁଖମୟ
ସଦା ମଙ୍ଗଳକାରୀଣୀ
ବରାଭୟ କର- ଖଡ଼ଗ ଖର୍ପର-
ଶୂଳ ଦଶଭୂଜଧାରିଣୀ !
ତାରିଣୀ-ଭବ-ଦୁଃଖହାରିଣୀ,
ହର-ହୃଦୟ ଘର-ଚାରିଣୀ
ଶକ୍ତିମୟୀ-ଜଗ ମାତୃରୂପିଣୀ
ମୋହ ତମ ଘନବାରିଣୀ
(ମାଲ୍ୟାର୍ପଣ ଓ ପ୍ରଣାମକରଣ)
ପଟ୍ଟକ୍ଷେପ