ଉଦ୍ୟାନଖଣ୍ଡ

ଉଦ୍ୟାନଖଣ୍ଡ

ଚିନ୍ତାମଣି ମହାନ୍ତି

 

ସ୍ୱର୍ଣ୍ଣଦୀ ପୁଲିନେ ନନ୍ଦନ ସମାନ,

ସିନ୍ଧୁତୀରେ ଶୋଭେ ସୁରମ୍ୟ ଉଦ୍ୟାନ ।

ଗଞ୍ଜାମ ମଣ୍ଡଳେ ସେହୁ କାମଧେନୁ,

ବାଲୁକା ତାହାର ରମ୍ୟ ରତ୍ନରେଣୁ ।

 

ନାଦ ଛଳେ ତହିଁ ବାରୁଣୀ-ସୁନ୍ଦରୀ

ଘେନିଣ ସହିତେ ଚିଲା ସହଚରୀ *

ବନଦେବୀ ସଙ୍ଗେ କରନ୍ତି ସମ୍ଭାଷ,

ରଚନ୍ତି ହରଷେ ରୁଚିର ବିଳାସ ।

* ସମୁଦ୍ର ଉପକଣ୍ଠସ୍ଥ ବିସ୍ତୀର୍ଣ୍ଣ ଜଳାଧାର ଚିଲିକା ନାମରେ ଅଭିହିତ ହୁଏ ।

 

ସୁନୀଳ ସାଗର ସୁନୀଳ ଉଦ୍ୟାନ,

ମଧ୍ୟେ ସିକତିଳ ସେତୁ ବିଦ୍ୟମାନ ।

ପ୍ରକୃତି-ସୁନ୍ଦରୀ ସୀମନ୍ତ ଉପରେ,

ହୀରା ଚନ୍ଦ୍ରହାର ପ୍ରାୟ ଶୋଭା ଧରେ ।

 

ଦିଗନ୍ତବିସ୍ତାରୀ ବିପୁଳ ଉଦ୍ୟାନ,

କଳ୍ପବୃକ୍ଷ ପ୍ରାୟ ସଦା ଫଳବାନ ।

ବିସ୍ତାରି ଅନନ୍ତ ଶାଶ୍ୱତ ନୀଳିମା,

ପ୍ରକାଶେ ଅନନ୍ତ-ଅନନ୍ତ ମହିମା ।

 

ଶୋଭା-ଲକ୍ଷ୍ମୀ ପୁଣି ଶସ୍ୟ-ଲକ୍ଷ୍ମୀଙ୍କର,

ସେ ଉଦ୍ୟାନଖଣ୍ଡ ଚିରଗନ୍ତାଘର ।

ସିନ୍ଧୁ ନୀଳିମାରେ ମିଶି ତା ନୀଳିମା,

ହୁଏ ନାହିଁ ବାରି ଦୂରୁ କାହା ସୀମା ।

 

ଏହିପରି ସାଧୁ ହୃଦୟ ବିବେକ,

ଅଭେଦ୍ୟ ମିଶ୍ରଣେ ମିଶି ହୁଏ ଏକ ।

ସିନ୍ଧୁଠାରୁ ଶିଖି ମହତ ଆଦର୍ଶ,

କରିଛି ଉଦ୍ୟାନ ହୃଦୟ ଉତ୍କର୍ଷ ।

 

ସେହିପରି ଦାତା ସେପରି ଉଦାର,

ସେପରି ବିଶୁଦ୍ଧ ସାମ୍ୟ ବ୍ୟବହାର ।

ଆଦର୍ଶ ଅଟଇ ମହାଗୁରୁ ଭବେ,

ଆଦର୍ଶୁ ଦେବତା ହୁଅନ୍ତି ମାନବେ ।

 

ଦେଖୁଅଛ ଯାହା ଭବେ ଉଚ୍ଚ ନ୍ୟୂନ,

ସେ ସକଳ ସିନା ଆଦର୍ଶର ଗୁଣ ।

ମହାଜନ ଜ୍ଞାନେ ଉଦ୍ୟାନେ ବ୍ୟଜନ-

କରଇ ସତତ ସିନ୍ଧୁ ସମୀରଣ ।

 

ମହାଜନେ ପୂଜା କରେ ମହାଜନ,

ମହାଜନର ଏ ନିସର୍ଗ ଲକ୍ଷଣ ।

ତୁହି ରେ ଉଦ୍ୟାନ ଚାରୁ ଶୋଭାବନ,

ଉତ୍କଳ-କମଳା-ବିହାରୋପବନ ।

 

ଦାନର ପସରା କରିଛୁ ବିସ୍ତାର,

ମୃତ୍ତିକା ନୋହୁ ତୁ ରତ୍ନର ବିକାର ।

ତୋହର ମହତ୍ତ୍ୱ ହୃଦେ ଅନୁଭବି,

ବର୍ଣ୍ଣିଛନ୍ତି ତୋତେ କାଳିଦାସ କବି ।

 

ମହାଜନେ ସିନା ଚିହ୍ନେ ମହାମନା,

ଇତର ପକ୍ଷେ ତା ଘୋର ବିଡ଼ମ୍ବନା ।

ଅଟୁ ତୁ ଅକ୍ଷୟ ନବରତ୍ନ ଗଦା,

ଫଳଫୁଲଶସ୍ୟେ ପୂର୍ଣ୍ଣ ଥାଉ ସଦା ।

 

ରେ ଉଦ୍ୟାନଖଣ୍ଡ, ଖଣ୍ଡଇ ସର୍ବଥା

ତୋ ଦର୍ଶନେ ନର ହୃଦ-ଦୁର୍ବଳତା ।

ବିଫଳ ବଡ଼ିମା, ଆତ୍ମଶ୍ଳାଘା ବେନି,

ମାଗନ୍ତି ମେଲାଣି ପୁଞ୍ଜିପଟା ଘେନି ।

 

ବହୁ ଜନପଦେ ପ୍ରଦାନୁ ଆହାର,

ଧନ୍ୟ ତୋ ହୃଦୟ ବଦାନ୍ୟ ଉଦାର ।

ରତ୍ନଗର୍ଭ ତୋତେ ଜାଣି ରତ୍ନାକର,

ଈର୍ଷାବଶେ ରଚେ ତୋ ସଙ୍ଗେ ସମର ।

 

ପର୍ଜନ୍ୟ ଗର୍ଜନେ ଧାଏଁ ତୋହ କତି,

କ୍ଷୁଧିତ ଶାର୍ଦ୍ଦୂଳ ଯଥା ମୃଗପ୍ରତି ।

ସେ ଗର୍ଜନେ ଜାଗେ ଚିଲିକା ଚଞ୍ଚଳ,

ମହାବଳ ନାଦେ ଯଥା ମହାବଳ ।

 

 

ମାତ୍ର ତୁହି ଭୀତ ନ ହୋଇଣ ତହିଁ,

ଧୈର୍ଯ୍ୟବଳେ ଯାଉ ତାହା ସବୁ ସହି ।

ପରାଜୟ ମାନି ଶେଷେ ଅମ୍ବୁପତି,

ବାହୁଡ଼େ ତୋ ପଦେ ବିହିଣ ପ୍ରଣତି ।

 

ଧୈର୍ଯ୍ୟବଳ ସିନା ବଳ ମଧ୍ୟେ ସାର,

ଦୁର୍ଭାର ବିପଦ ତାହାଠାରେ ଛାର ।

ଚୂର୍ଣ୍ଣ ହୁଏ ସିନ୍ଧୁ ଦର୍ପ ଅହମିକା,

କୃଷାଣ କର୍ଷଣେ ଯଥା ତୋ ମୃର୍ତ୍ତିକା ।

 

ବୁଝିପାରି ସେହୁ ଆପଣା କ୍ଲୀବତା,

ପୋତେ ଲଜ୍ଜାବଶେ ନୀରବରେ ମଥା ।

ଧନ୍ୟ ରେ ଉଦ୍ୟାନ, ତୋ ଶୋଭା-ବିଭବ,

ନିତ୍ୟ ନୂତନତ୍ୱ ତୋଠାରେ ସମ୍ଭବ ।

 

ଏହି ଏକା ସିନା ସୁନ୍ଦର ଲକ୍ଷଣ-

ସେହି ସେ ସୁନ୍ଦର ଯେ ନିତ୍ୟ ନୂତନ ।

ଦିଦୃକ୍ଷାର ଯହିଁ ନ ଥାଏ ବିଶ୍ରାମ,

ସେ ନିଶ୍ଚେ ପ୍ରକୃତ ସୌନ୍ଦର୍ଯ୍ୟ ସୁଧାମ ।

 

କରେ ଯେ ବିକାଶ ମନ ଆତ୍ମା ଦେହୁ,

ଚିର ସୁନ୍ଦର ସେ ନାହିଁ କି ସନ୍ଦେହ ।

ଅପୂର୍ବ ନିସର୍ଗ ରୂପ ଶୋଭା ତୋର,

ମନୋନେତ୍ର ଦୃଢ଼ ଆକର୍ଷଣ-ଡୋର ।

 

ଆକୃଷ୍ଟ ହୋଇ ସେ ତୀବ୍ର ଆକର୍ଷଣେ

ଗମିଲି ଉଦ୍ୟାନ, ତୋ ଅଙ୍କ ଭ୍ରମଣେ ।

ପ୍ରକାଣ୍ଡ ପ୍ରାନ୍ତର ପୂର୍ଣ୍ଣ ସଇକତେ,

ଅତିକ୍ରମି କଷ୍ଟେ ଗଲି ଗତିପଥେ ।

 

ହେଲେହେଁ କୋମଳ ସେ ବାଲିପ୍ରାନ୍ତର,

ମାତ୍ର କଠୋରତାଠାରୁ ଭୟଙ୍କର ।

କୋମଳତା ମଧ୍ୟେ ଗୁପ୍ତ କଠୋରତା,

ପକ୍ୱ ଫଳ ଗର୍ଭେ ବୀଜକୋଷ ଯଥା ।

 

ସେ ପ୍ରାନ୍ତର ଦେହେ ଆଣେ ଅବସାଦ,

ପ୍ରତି ପଦକ୍ଷେପେ ଫାଟି ପଡ଼େ ପାଦ ।

ଉଚ୍ଛୃଙ୍ଖଳ ହୃଦେ ଉପଦେଶ ପ୍ରାୟେ,

ପାନ୍ଥ ପାଦଚିହ୍ନ ତହିଁ ନିଭିଯାଏ ।

 

ତାତିଯାଇ ରୌଦ୍ରେ ଘଟାଏ ପ୍ରମାଦ,

ନଚାଏ ନାଟୁଆ ପ୍ରାୟେ ପାନ୍ଥପାଦ ।

ତରୁଲତାଶୂନ୍ୟ ଶାଶ୍ୱତ ଧବଳ,

ନୀରସ ଯେସନ ମହାମରୁସ୍ଥଳ;

 

କିମ୍ବା ଯଥା ଖଣ୍ଟ ପିଶାଚ ହୃଦୟ,

ଅବା କଟୁଭାଷୀ ବଚନନିଚୟ ।

ନିସ୍ତବ୍‌ଧତା ସହ ତହିଁ ମରୀଚିକା

ବିସ୍ତାରି ବସିଛି ଘୋର ବିଭୀଷିକା ।

 

ମାନବ ସାହସ ମାନବ କ୍ଷମତା,

ପରାଜୟ ମାନେ ସେଠାରେ ସର୍ବଥା ।

ଅତିକ୍ରମ କଷ୍ଟେ ସେ ଭୀଷଣ ସ୍ଥାନ

ତୋ ରୁଚିର ସୀମା ଛୁଇଁଲି ଉଦ୍ୟାନ ।

 

ହେରି ହର୍ଷେ ହୃଦ ଉଠିଲାକ ପୂରି

ତୋ ଦୁଃଖ-ପାସୋରା ମଧୁର ମାଧୁରୀ ।

ବିଲୋକନ କଲେ ଇଷ୍ଟସିଦ୍ଧି ମୁଖ,

ଭୁଲିଯାଏ ଯଥା ସାଧନାର ଦୁଃଖ ।

 

ତଥା ତୋ ଦର୍ଶନ ମାତ୍ରକେ ଉଦ୍ୟାନ,

ହେଲା ପଥଶ୍ରମ ଖରେ ଅନ୍ତର୍ଦ୍ଧାନ ।

ଅମରବାଞ୍ଛିତ ପ୍ରଶାନ୍ତ ପାବନ,

କରୁ ତୁ ନିର୍ମଳ କଳୁଷିତ ମନ ।

 

ସୌନ୍ଦର୍ଯ୍ୟ-ସମ୍ପଦେ ତୁ ମହାକୁବେର,

ଅଦ୍ଭୁତ ସୌନ୍ଦର୍ଯ୍ୟେ ପୂର୍ଣ୍ଣ ତୋର ବେର ।

ନିଖିଳ ସୁଷମା କରିଅଛୁ ଠୁଳ,

ସୁଷମା-ସୃଷ୍ଟିରେ ତୋ ଶୋଭା ଅତୁଳ ।

 

ପଡ଼ିଛୁ ତୁ ଛିଡ଼ି ସ୍ୱର୍ଗୁ ହୁଏ ପ୍ରତେ,

ନତୁ ଏତେ ଶୋଭା ସମ୍ଭବେ କି ମର୍ତ୍ତ୍ୟେ ?

ଉଦ୍ୟାନ, ତୋ ଅଙ୍କେ ରାଜେ ଗୋଟା ଗୋଟା,

ସୁଦୁର ବିସ୍ତୃତ ଫଳବୃକ୍ଷ ତୋଟା ।

 

ରମ୍ଭା, ନାରିକେଳ, ପନସ, ରସାଳ,

ଜାମୁ, ସୀତାଫଳ ୧, ମାତୁଳଙ୍ଗ, ତାଳ ।

ଏ ଆଦି ପାଦପ ତୋଟା ଅଗଣନ,

ଅସମୟେ ଫଳ କରନ୍ତି ଧାରଣ ।

୧- ଆତ ଫଳକୁ ଗଞ୍ଜାମରେ ସୀତାଫଳ କହନ୍ତି ।

 

ପାଦପେ ସେ ତୋଟା ଅତି ଘଞ୍ଚତର,

ଥାଉ ଆନ, ତହିଁ ନ ଚାଲିବ ଶର ।

ମାରକତି ତମ୍ବୁ ପ୍ରାୟ ଯାଏ ଦେଖା,

ପାରେ ନାହିଁ ପଶି ତହିଁ ରଶ୍ମିରେଖା ।

 

ସୁକଣ୍ଠ-ବିହଙ୍ଗ କୂଜନେ କୂଜିତ,

ସାଗର ସମୀରେ ଚିର ବିଧୂନିତ ।

ସୁଶୀତଳ ଛାୟା ସୁମଧୁର ଫଳ-

ବିତରଣ ତାଙ୍କ ସୁବ୍ରତ କେବଳ ।

 

ବରକନ୍ୟାରୂପେ ଚୂତବୃକ୍ଷପନ୍ତି,

ବାନ୍ଧିଛନ୍ତି ଲତା-ଡୋରେ ହସ୍ତଗ୍ରନ୍ଥି ।

ପୁରୋଧା ତହିଁରେ ଧୀର ସମୀରଣ

ସ୍ୱନ ଛଳେ କରେ ମନ୍ତ୍ର ଉଚ୍ଚାରଣ ।

 

ବିବାହବେଦିକା ଅଟେ ଆଳବାଳ,

ବରକନ୍ୟା ଯାତ୍ରୀ ଆନ ତରୁଜାଳ ।

କାହା ଶାଖେ ମାଡ଼ି ଲତା ପୁଞ୍ଜ ପୁଞ୍ଜ,

ସୃଜିଛନ୍ତି ରମ୍ୟ ସାରସ୍ୱତ କୁଞ୍ଜ ।

 

ଫୁଟିଅଛି ତହିଁ ନାନାବିଧ ଫୁଲ,

ପ୍ରକାଶି ସ୍ୱର୍ଗୀୟ ସୁଷମା ଅତୁଳ ।

ଦାତାକୁ ଯାଚକେ ଘେରିଲା ପରାଏ,

ଘେରିଛନ୍ତି ଫୁଲେ ଆଜି ପାଳିକାଏ ।

 

ଗୁଣୁ ଗୁଣୁ ସ୍ୱରେ ଗାଇ ତା ବନ୍ଦନା,

କରୁଛନ୍ତି ମଧୁ ଟୋପାଏ ପ୍ରାର୍ଥନା ।

କେତେ ତରୁ ଛନ୍ଦି ପଲ୍ଲବେ ପଲ୍ଲବେ,

କର ବିମର୍ଦନେ ନିଯୁକ୍ତ ନୀରବେ ।

 

କେବଣ ପାଦପ ମହାପ୍ରେମଭରେ

ଗାଢ଼ ଆଲିଙ୍ଗନ ଅର୍ପିଛି ଅପରେ ।

ପ୍ରେମର ମହତ୍ତ୍ୱ ମୂଲ୍ୟ ତାଙ୍କୁ ଜଣା,

ନ ଭୁଞ୍ଜନ୍ତି ପ୍ରାଣେ ବିଚ୍ଛେଦ ଯନ୍ତ୍ରଣା ।

 

କାହିଁ ଲଙ୍କା ଆମ୍ର ମଣ୍ଡି ବାଲିସ୍ତୂପ

ପ୍ରକାଶିଛି କେଡ଼େ ଶୋଭା ଅପରୂପ ।

ବଟେ ବାଳଖିଲ୍ୟ ୨ ଓହଳିଲା ପରି,

ଝୁଲେ ଶାଖେ ଫଳ ସ୍ୱର୍ଣ୍ଣବର୍ଣ୍ଣ ଧରି ।

୨- କଳ୍ପବଟ ଶାଖାରେ ଅଙ୍ଗୂଷ୍ଠ ପରିମତ ବାଳଖିଲ୍ୟ ଋଷିଙ୍କ ଓହଳିବା ବୃତ୍ତାନ୍ତ ପୁରାଣପ୍ରସିଦ୍ଧ।

 

କରନ୍ତି ସେଠାରେ ଚିର ରାଜପଣ,

ଦୂର୍ଦଣ୍ଡପ୍ରତାପ କ୍ରୂର ଭାଲୁଗଣ !

ମାନବ ରସନା ସଂତୃପ୍ତକ ଫଳେ,

ଭୁଞ୍ଜୁଛନ୍ତି ଅହୋ ବନ୍ୟ ପଶୁଦଳେ !

 

କେ କହିବ ବିହି କିପାଁ ଦେବଯୋଗ୍ୟ-

କୁସୁମକୁ କଲେ କୀଟ ଉପଭୋଗ୍ୟ ।

ବେଳାଶୋଭି-ତାଳି-ବିପିନ-ବିଳାସୀ

ତୀକ୍ଷଣ ଦ୍ୱିପୀନ ବେଳେ ବେଳେ ଆସି

 

ହୁଏ ସେ ସ୍ଥାନରେ ଅତୃପ୍ତ ଅତିଥି,

ପାର୍ଶ୍ୱବର୍ତ୍ତୀ ଗ୍ରାମେ ଘୋଟେ ମହାଭୀତି ।

ନିଶୀଥେ ଶୁଣି ତା ଶବ୍ଦ ଭୟଙ୍କର,

ଫାଟିଯାଏ ଶ୍ରୋତା ଶ୍ରବଣବିବର ।

 

ସେ ଗର୍ଜନେ ମିଶି ସମୁଦ୍ର ଗର୍ଜନ

କରେ ବିନା ମେଘେ ଅଶନି ସୃଜନ ।

ଅନୁଭବବୋଧ୍ୟ ସେ ରୁଦ୍ର ଘଟନା-

ବର୍ଣ୍ଣନ ତା ସିନା ବଳଇ କଳ୍ପନା ।

 

ସିନ୍ଧୁତୀରେ ଶୋଭେ ହରିତାୟମାନ

ଘନ-ସନ୍ନିବେଶ-ନାରିକେଳୋଦ୍ୟାନ ।

ଫଳଭରେ ବୃକ୍ଷେ ସଦା ଆନମିତ,

ବାତେ ଶାଖା-କର ହୁଏ ସଂଯୋଜିତ ।

 

ପାଏଡ଼ା ପାତିଣ ବନଦେବୀ ନିଜେ,

ସାଗର ତରଙ୍ଗେ କରାନ୍ତି କି ବିଜେ !

ସାନ ବୃକ୍ଷ ରହି ବଡ଼ ବୃକ୍ଷ ପାଶେ,

ଗୁରୁ ପଦେ ଶିଷ୍ୟ ପରାୟେ ଆଭାସେ ।

 

ଧରି କରେ, କକ୍ଷେ ମର୍କତ କଳସ,

ଉଭା ମାଳ ମାଳ ବିଶାଳ ପଣସ ।

ପ୍ରବଳେ ଦୁର୍ବଳ ଆଶ୍ରା କଲା ଭଳି,

ମାଡ଼ିଛି ଅଗସ୍ତି-ଷଣ୍ଡେ ନାଗବଲ୍ଲୀ ।

 

କଦଳୀକ୍ଷେତ୍ରର ବିପୁଳ ବିସ୍ତାର,

ଦେଖି ହୁଏ ପ୍ରତେ ଯଥା ପାରାବାର ।

ନିବସଇ ରମ୍ଭା ସ୍ୱର୍ଗେ ଏକ ଗୋଟି,

ମାତ୍ର ଉଦ୍ୟାନରେ ଅଛି କୋଟି କୋଟି ।

 

ଏଣୁ ବଳେ ସ୍ୱର୍ଗୁ ଉଦ୍ୟାନ ଗୌରବ,

ତୁଚ୍ଛ ତାହାଠାରେ ମଘବା-ବିଭବ ।

ବହୁବିଧ ଶସ୍ୟ, ଶାକ, ଫଳ, ମୂଳ,

ରେ ଉଦ୍ୟାନ ! ତୁହି ପ୍ରସବୁ ବହୁଳ ।

 

ଧାନ୍ୟ, ମୁଗ, ବ୍ରୀହି, କୋଳଥ, ମାଣ୍ଡିଆ,

ଜନା, ସୁଆଁ, କାଙ୍ଗୁ, * କାନ୍ଦୁଲ, ଘାଣ୍ଟିଆ,

ଜଡ଼ା, ରାଶି, କପା, ସର୍ଷପ, ପାଳୁଅ,

ଆଳୁ, ଚେରଚଣା, କାସାଭା, ଓଲୁଅ,

* ଗଞ୍ଜାମ ଅଞ୍ଚଳରେ ହରଡ଼କୁ କାନ୍ଦୁଲ କହନ୍ତି ।

 

ଲାଉ, ବୋଇତାଳୁ, କନ୍ଦମୂଳ, ସାରୁ,

ଜହ୍ନି, ଭେଣ୍ଡି, ଶିମ୍ବ, କାକୁଡ଼ି, କଖାରୁ,

ପଲାଣ୍ଡୁ, ଲସୁନ, ହରିଦ୍ରା, ଆଦ୍ରକ,

ମାରିଷ, କୋଶିଳା, ପାଳଙ୍ଗ, ମୂଳକ,

 

ଏହିପରି ଯେତେ ମାନବର ଖାଦ୍ୟ,

ହୁଏ ତୋହଠାରୁ ସକଳ ଉତ୍ପାଦ୍ୟ ।

ଅନ୍ନ, ବସ୍ତ୍ର ପୁଣି ଔଷଧନିକର,

ଲଭେ ଅନାୟାସେ ତୋହଠାରୁ ନର ।

 

ସ୍ଥୂଳତଃ ଗାର୍ହସ୍ଥ୍ୟ ଅଭାବ ଯା ଭବେ,

ପାଉଛନ୍ତି ତାହା ତୋଠାରୁ ମାନବେ ।

ରେ ଉଦ୍ୟାନବର ! ତୋର ସୁପ୍ରସନ୍ନେ,

ଦରିଦ୍ର ବସଇ କୁବେର ଆସନେ ।

 

ଅକଳିତ କାଳୁଁ ରହି ତୁ ବିଦିତ

ରଖିଛୁ ଗଞ୍ଜାମେ ବାଣିଜ୍ୟ ଜୀବିତ ।

କୃଷିବାଣିଜ୍ୟର ଶୁଭାଦର୍ଶ ଦେଶେ,

ଦେଖାଉଛୁ ତୁହି ସଦା ଈଶାଦେଶେ ।

 

ଚିରଶୁଷ୍କ ତୁହି ସିକତିଳ ସ୍ଥଳ,

ଶତହସ୍ତ ନିମ୍ନେ ମିଳେ ନାହିଁ ଜଳ ।

ଦେଖି ଜନ୍ମେ ମନେ ଅପୂର୍ବ ବିସ୍ମୟ,

ନୀରସରୁ ଜାତ ଫଳ ରସମୟ ।

 

ଅବିଦ୍ୟା-ଉଷର-ହୃଦୟେ ଏପରି,

ଫଳେ ଜ୍ଞାନ-ଫଳ କୃପା କଲେ ହରି ।

ଉଦ୍ୟାନ, ତୋହର ବସନ୍ତ ସୁଷମା-

ସଙ୍ଗେ ଯୋଖିବାକୁ ନ ମିଳେ ଉପମା ।

 

ହେରି ତା ବସନ୍ତ ହୋଇବ ଲଜ୍ଜିତ

ଶୋଭା-କ୍ଷୀରସିନ୍ଧୁ-ସାର ନବନୀତ ।

ବକୁଳିତ ହୋଇ ରସାଳ କାନନ,

ଧରେ ସୁନ୍ଦରିମା ନେତ୍ର-ରସାୟନ ।

 

ହେମକିରୀଟିନୀ କାନନ-ସୁନ୍ଦରୀ,

ଉପବିଷ୍ଟ ସର୍ବେ ଅବା ସଭା କରି ।

ଆମ୍ର ବକୁଳର ସୁସ୍ନିଗ୍‌ଧ ଆମୋଦେ,

ପୂର୍ଣ୍ଣ ହୁଏ ମନ ସ୍ୱର୍ଗୀୟ ପ୍ରମୋଦେ ।

 

ସେ ଆମୋଦେ ମତ୍ତ ହୋଇ ପରଭୃତ,

ହୁଏ ଖାଦ୍ୟ ପାନ ଶୟନ ବିସ୍ମୃତ ।

ତାଳ ମାନ ଧରି ହୋଇ ଏକଲୟ,

ମଧୁ ସ୍ୱରେ ଗାଏ ମଧୁଋତୁ ଜୟ ।

 

ଧରେ ତାର ପାଳି ହଳଦୀବସନ୍ତ,

ହୁଏ ମଧୁରିତ ସେ ଗୀତେ ଦିଗନ୍ତ ।

ସମୀର ପରଶେ ଦୋହଲି ବଉଳ,

ଭ୍ରମରକୁ କରେ ନୈରାଶ୍ୟେ ଆକୁଳ ।

ସହକାର ଯେହ୍ନେ ମସ୍ତକ ହଲାଇ,

ମନା କରେ ଭୃଙ୍ଗେ ମଧୁ ଦେବାପାଇଁ ।

ନୀରବେ କହେ, ତା ପ୍ରାପ୍ୟ କୋକିଳର,

ହରିବୁ ପରସ୍ୱ, ନାହିଁ କି ରେ ଡର !

 

 

ଶୁକ୍ଳ ପୁଷ୍ପଗୁଚ୍ଛେ ମଣ୍ଡି ସର୍ବ ଅଙ୍ଗ,

ଶୋଭେ କେତେ ସ୍ଥାନେ ଶ୍ୟାମାଙ୍ଗ ବାସଙ୍ଗ ।

ଇନ୍ଦ୍ରଧନୁ ବର୍ଣ୍ଣ-ବଇଭବେ ହରି,

ପ୍ରଜାପତି ତହିଁ ଉଡ଼ନ୍ତି ବିହରି ।

 

ଉଭା କାହିଁ ଧରି ବସନ୍ତମାଳତୀ,

ବସନ୍ତରାଜାର ଆରାତ୍ରିକ ବତୀ ।

ସୁବର୍ଣ୍ଣ-ମହୁରୀ-କରେ କର୍ଣିକାର

ଶୋଭେ କାହିଁ ରାଜ-ନିଯୋଗୀ ପ୍ରକାର ।

 

କାହିଁ ଶତବର୍ଗ ଫୁଟିଛି ପ୍ରଚୁର,

ରୂପ ସଉରଭ ଉଭେ ଯା ମଧୁର ।

ବଲ୍ଲୀ-ଶ୍ୟାମ ବାଡ଼େ ଜଡ଼ିଛି ଅତଣ୍ଡି,

ବିଦ୍ୟୁଲ୍ଲତା ଯଥା ଘନେ ଥାଏ ମଣ୍ଡି ।

 

ବସନ୍ତମାଧୁରୀ ତୋର ରେ ଉଦ୍ୟାନ,

ବର୍ଣ୍ଣୁଥିଲେ ହେବ ନାହିଁ ଅବସାନ ।

ଉଦ୍ୟାନ ତୋ ଅଙ୍କେ ଦିଶେ ଅଭିରାମ,

ସ୍ୱଭାବ-ସୌନ୍ଦର୍ଯ୍ୟପୂର୍ଣ୍ଣ ପଲ୍ଲୀଗ୍ରାମ ।

 

ରଙ୍ଗ ମୃତ୍ତିକାରେ ଲିପା ହୋଇ ଘର,

ଦିଶେ ସମୁଜ୍ଜ୍ୱଳ ନିର୍ମଳ ସୁନ୍ଦର ।

ବିବିଧ ଚିତ୍ରରେ ଭିତ୍ତି ଶବଳିତ,

ଲାଖି ରହେ ତହିଁ ଦର୍ଶକର ଚିତ୍ତ ।

 

ନାମାବଳୀ ବସ୍ତ୍ରେ ଢାଙ୍କି ଅପଘନ,

ଯୋଗେ ଯୋଗିଗଣ ଅବା ନିମଗନ ।

କି ଜୀବନ୍ତ ଚିତ୍ର ଗେରୁ ଖଡ଼ୀ ରଙ୍ଗେ,

ଧାନଉଷାଁ ହାଣ୍ଡି କଳାରଙ୍ଗ ସଙ୍ଗେ ।

 

ରମଣୀ-କଳ୍ପିତ ଏ ସକଳ ଚିତ୍ର,

ଆହା କି ନିର୍ଦୋଷ, ଆହା କି ପବିତ୍ର !

ଯେ ଦେଶ ନାରୀଏ କୁଶଳା କଳାରେ,

ସେ ଦେଶ ପୁରୁଷ କେହି ନ ପଚାରେ ।

 

ଭୁଲିଲେଣି ଶିଳ୍ପବିଦ୍ୟା ସେ ସକଳ,

ବଞ୍ଚାଇଛନ୍ତି ତା ନାରୀଏ କେବଳ ।

ଲାଉ ବୋଇତାଳୁ ମାଡ଼ିଅଛି ଚାଳେ

ଫଳ ଫୁଲ କଢ଼ ଧରି ଡାଳେ ଡାଳେ ।

 

ବାଡ଼ିମାନଙ୍କରେ ପୂରିଅଛି ଖନ୍ଦ,

ମାଡ଼ିଛି ବହଳେ ତଳେ ରାମକନ୍ଦ ।

ପଲ୍ଲୀବାସୀ ପ୍ରାଣ ନିର୍ମଳ ପବିତ୍ର,

ସ୍ୱଭାବେ ସେମାନେ ସମସ୍ତଙ୍କ ମିତ୍ର ।

 

ଛୁଇଁ ନାହିଁ ତାଙ୍କୁ ଛନ୍ଦମନ୍ଦ ଦ୍ୱନ୍ଦ୍ୱ,

ଚିରସହଚର ତାଙ୍କର ଆନନ୍ଦ ।

ସାରଲ୍ୟେ ସାରଲ୍ୟ ଉପମୂର୍ତ୍ତି ସେହୁ,

ପୋଷନ୍ତି ସ୍ୱଦେହ ବଳ କାଢ଼ି ଦେହୁ ।

 

ପୋଷନ୍ତି ଅପରେ ପୁଣି ନିର୍ବିକାରେ,

ଜଗତେ ସକଳେ ଋଣୀ ତାଙ୍କଠାରେ ।

କରନ୍ତି ସେ ବ୍ୟୟ ଜଗିଣ ଭବିଷ୍ୟ,

ଶାନ୍ତିପ୍ରୀତିର ସେ ପ୍ରିୟତମ ଶିଷ୍ୟ ।

 

ନ ଥାଉ ପଛକେ ବର୍ଣ୍ଣପରିଚୟ,

ମାତ୍ର ଶିକ୍ଷିତଙ୍କ ଗୁରୁ ସେ ନିଶ୍ଚୟ ।

ପରସ୍ପର ମଧ୍ୟେ ସହାୟତା କରି,

କ୍ଷେପନ୍ତି ସମୟ ସ୍ୱଧର୍ମ ଆଚରି ।

 

ସାହାଯ୍ୟ ବିଶ୍ୱାସ କରି ବିନିମୟ,

ସକଳ ଆପଦୁଁ ହୁଅନ୍ତି ନିର୍ଭୟ ।

ସଂସାର ତାଙ୍କର ତୁହି ରେ ଉଦ୍ୟାନ,

ତୋ ବିନୁ ସେମାନେ ନ ଜାଣନ୍ତି ଆନ ।

 

ତୁ ତାହାଙ୍କୁ ଚିହ୍ନୁ, ସେ ତୋତେ ଚିହ୍ନନ୍ତି,

ଦୃଢ଼କର ତୁମ୍ଭ ସମ୍ପର୍କର ଗ୍ରନ୍ଥି ।

ପଲ୍ଲୀ-ଦୃଶ୍ୟ କେଡ଼େ ନିର୍ମଳ ମଧୁର,

ପାର୍ଥିବ ଭାବନା ମନୁ କରେ ଦୂର ।

 

କର୍ମମୟ ପ୍ରାଣେ କର୍ମ ଆରାଧନା,

ପଲ୍ଲିବାସୀଙ୍କର ଏକାନ୍ତ ସାଧନା ।

ତେଣୁ ସେ ପ୍ରକୃତି ପ୍ରାୟ କର୍ମେ ରତ,

କାୟମନଃପ୍ରାଣେ ଥାଆନ୍ତି ସତତ ।

 

ତଲାରୀ * ମୁଣ୍ଡାଇ କରୁଛି କେ ହଳ,

ଗାଇ ଗ୍ରାମ୍ୟ ଗୀତ ଆନନ୍ଦେ ବିହ୍ୱଳ ।

ଦାତ୍ର କରେ ଶସ୍ୟ କେ କରେ କର୍ତ୍ତନ,

କରୁଛି କେ କ୍ଷେତ୍ରୁ ତୃଣ ଉତ୍ପାଟନ ।

* ବାଉଁଶପାତିଆ ବା ପତରରେ ନିର୍ମିତ ଟୋକଲା ।

 

ଶିଶୁଗଣେ ଦାଣ୍ଡେ ହେଉଛନ୍ତି ଗେଲ,

ଖେଳୁଛନ୍ତି କେହି କେହି ଧୂଳିଖେଳ ।

ବିରଚି ଧୂଳିରେ ମନୋମତ ଘର,

ମଣ୍ଡନ୍ତି ତାହାକୁ ଧୂଳିରେ ଆବର ।

 

ଧୂଳିରେ ହିଁ ଅନ୍ନ ଧୂଳିରେ ବ୍ୟଞ୍ଜନ,

ସଙ୍କଳ୍ପରେ ତାହା କରନ୍ତି ଭୋଜନ ।

କୁଣ୍ଢାଇରେ କେହୁ ରଚି କନ୍ୟା ବର,

କରାଏ ବିବାହ ହୋଇ ହର୍ଷଭର ।

 

କନ୍ୟା ମାତା କେତେ ବିଳପି ବିଳପି,

ଜୋଇଁ କରେ ଦିଏ ଝିଅକୁ ସଅଁପି ।

ଏହିପରି ଚିତ୍ତ-ବିନୋଦନ ଖେଳ

ଖେଳୁଥାନ୍ତି ବାଳକୁଳେ ହୋଇ ମେଳ ।

 

କେଡ଼େ ସୁଖକର ଆହା ବାଳକାଳ,

ଛୁଏଁ ନାହିଁ ମନେ ସଂସାର ଜଞ୍ଜାଳ ।

ଦଂଶେ ନାହିଁ ହୃଦ-ଫୁଲେ ଚିନ୍ତା-କୀଟ,

ହରେ ନାହିଁ ମଧୁ ଦୁଃଖ-ମଧୁଲିଟ ।

 

ଆନନ୍ଦରେ ସଦା କଟଇ ସମୟ,

ଭବେ ବାଲ୍ୟ ପ୍ରାଣ ମହାସୁଖମୟ ।

ସପ୍ତାହରେ ବସେ ତୋହ ଗର୍ଭେ ହାଟ,

ଧରେ ଜନସଙ୍ଘ ଆକାର ବିରାଟ ।

 

କଦଳୀ ନଡ଼ିଆ ପର୍ବତ ପ୍ରମାଣେ

ଗଦା ହୁଏ ଆସି ହାଟେ ସ୍ଥାନେ ସ୍ଥାନେ ।

ଅହୋ କି ଆଶ୍ଚର୍ଯ୍ୟ, ଘଡ଼ିକ ମଧ୍ୟରେ

ସେ ବିରାଟ ସ୍ତୂପ ସବୁ ବିକା ସରେ ।

 

ବାଣିଜ୍ୟର ମୁଖ୍ୟ ପୀଠ ସେହୁ ହାଟ,

ହାଟ ନୁହେଁ ତାହା, ଧନାଗମ ବାଟ ।

ଶାଖା ଉପଶାଖା ପ୍ରଶାଖା ତାହାର

ପ୍ରାକୃତ ଉତ୍କଳେ ବ୍ୟାପିଛି ଅପାର ।

 

ସୂର୍ଯ୍ୟାସ୍ତର ଶୋଭା ମହେନ୍ଦ୍ର ଶିଖରେ

ଦେଖୁଛୁ ଉଦ୍ୟାନ, ନିତି ମୋଦଭରେ ।

ଦାରୁବ୍ରହ୍ମଚୁଡ଼େ ଦେବ ବିକର୍ତ୍ତନ

ଦିଅନ୍ତି ବିସ୍ତାରି ସୁବର୍ଣ୍ଣ ଆସନ ।

 

ସେ ଆସନ ପ୍ରଭା ପତ୍ରେ ପ୍ରତିଫଳେ,

ଗଳିତ କାଞ୍ଚନ-ଧାରା ତହୁଁ ଗଳେ ।

ସ୍ୱର୍ଣ୍ଣ ଦୀପ ଗର୍ଭେ ସୁବର୍ଣ୍ଣ ବର୍ତ୍ତିକା,

ଜଳେ କି ଉଜ୍ଜ୍ୱଳେ ଟେକି ସ୍ୱର୍ଣ୍ଣଶିଖା ।

 

ଆହା କି ଅଦ୍ଭୁତ, କ୍ଷଣକ ମଧ୍ୟରେ,

ବାଇଗଣୀ ବର୍ଣ୍ଣ ସ୍ୱର୍ଣ୍ଣ ସାନୁ ଧରେ ।

ଯାଏ ପୁଣି କ୍ରମେ ସେ ରଙ୍ଗ ମିଳାଇ,

ପଡ଼ି ତହିଁ ସାନ୍ଧ୍ୟ ଅନ୍ଧକାର ଛାଇ ।

 

ହୁଏ ସୂପ୍ତିମୌନା ସୃଷ୍ଟି-ଠାକୁରାଣୀ,

ଭଜେ ମଳିନିମା ତେଜି ଦିବ୍ୟ ଠାଣି ।

ଘନ କୃଷ୍ଣ ବାସେ ତହୁଁ ଅନ୍ଧକାର,

ଘୋଡ଼ାଇଣ ଦିଏ ଶରୀର ତାହାର ।

 

ରାତ୍ରେ ନିଶାଚର ଜୀବ ଲକ୍ଷ ଲକ୍ଷ,

ଚୌପାଶୁ ଆସିଣ ଘେରନ୍ତି ତୋ ବକ୍ଷ ।

ରାତିସାରା ଫଳ ମୂଳ ଖାଇ ଖାଇ,

ଚୋର ପ୍ରାୟେ ପ୍ରାତେ ଯାଆନ୍ତି ପଳାଇ ।

 

ଝଡ଼ି କୀଟ ପରି ବୁଲୁଥାନ୍ତି ଉଡ଼ି,

ତୋ ଆକାଶ ଛାଇ ଅସଂଖ୍ୟ ବାଦୁଡ଼ି ।

ଘୋର ଘୋଣା ଘୋଷେ ଭ୍ରମନ୍ତି ଭଲ୍ଲୂକେ,

ଫେରୁ କଣ୍ଠ-ଭେରୀ ବାଜେ ହୁକେ ହୁକେ ।

ଘୁଟୁରୁ ଘୁମାର ବିକଟ କୁନ୍ଥନ

କାଢ଼ିନିଏ ପିଣ୍ଡୁ ଦଣ୍ଡକେ ଜୀବନ ।

 

ସିନ୍ଧୁଗର୍ଭୁ ମତ୍ସ୍ୟ ଧରି କୁରୁବଳ

ଉଚ୍ଚ ବୃକ୍ଷେ ବସି କରଇ କବଳ ।

ରାବନ୍ତି ଝିଲ୍ଲିକା ଝୁଣୁଝୁଣୁ ସ୍ୱରେ,

ବାଜେ କି ଘୁଙ୍ଗୁର ଯାମିନୀ ପୟରେ ।

 

କେତେ ବଡ଼ ପକ୍ଷୀ ଛାଡ଼ି ମହାରଡ଼ି

ନିଶି ନୀରବତା ଦେଉଥାନ୍ତି ତଡ଼ି ।

କା ସ୍ୱର ଗଭୀର, କାହାର ଉଚ୍ଚାଟ,

ବସାନ୍ତି ସକଳେ କୋଳାହଳ-ହାଟ ।

 

ପଶୁପକ୍ଷୀଙ୍କର ତ୍ରୀବ ଉପଦ୍ରବେ,

ପାରେ ନାହିଁ ଶୋଇ କୃଷୀବଳ ଲବେ,

ଛତ୍ରାକାରେ କରି କୁଡ଼ିଆ ନିର୍ମାଣ,

ଜଗିଥାଏ ତହିଁ ହୋଇ ସାବଧାନ ।

 

ବିକଟ କୁହାଟେ, କେବେ ବାଦ୍ୟ ବାଇ,

କ୍ଷେତୁ ଶସ୍ୟଚୋରି ଦିଏ ଘଉଡ଼ାଇ ।

ତହୁଁ ଦୁଷ୍ଟେ ହୋନ୍ତି ଶାନ୍ତ, ମାତ୍ର କ୍ଷଣେ,

ପାପବୁଦ୍ଧି ଯଥା ବିବେକ ତାଡ଼ନେ ।

 

ହୁଅନ୍ତି ଦଣ୍ଡକେ ପୁଣି ଉଚ୍ଛୃଙ୍ଖଳ,

ପାରଇ କି ଭୁଲି ଖଳବୁଦ୍ଧି ଖଳ ।

ରେ ଉଦ୍ୟାନ, ତୋର ମହିମା ଅପାର,

ଭାବି ହୃଦ ହୁଏ ଉନ୍ନତ ଉଦାର ।

 

ରାଜପୁରଠାରୁ କାଶୀବୁଗା ଯାଏ,

ବିସ୍ତୃତ ତୁ ସିନ୍ଧୁ ଉପବେଳା ପ୍ରାଏ ।

ନ ହେଲେ ହେଁ ତୁହି ଅନନ୍ତ ଅପାର,

ତଥାପି ଦୁର୍ଗମ ଯେସନ କାନ୍ତାର ।

 

ଜଟିଳ କୁଟିଳ ତୋର ଅଙ୍କ-ପଥ,

ଯଥା ଷଡ଼ଯନ୍ତ୍ରୀ ବାକ୍ୟ, ମନୋରଥ ।

ଉଦ୍ୟାନେ ହଜିଲେ ଅଧ୍ୟାନ ୧ ହୁଅନ୍ତି,

ବିଦିତ ଗଞ୍ଜାମେ ଏହି କିମ୍ବଦନ୍ତୀ ।

୧- ଅଧ୍ୟାନ ସମ୍ଭବତଃ ଅନ୍ତର୍ଦ୍ଧାନ ଶବଦ ।

 

ଯୁଗେ ଯୁଗେ ତୁହି ଅଛୁ ବିଦ୍ୟମାନ,

ବିଜ୍ଞାତ ତୁ ଏକା ତୋହରି ଆଖ୍ୟାନ ।

ନର, ପଶୁ, କୀଟ, ବିହଙ୍ଗ, ପତଙ୍ଗ,

ଶୋଷୁଛନ୍ତି ସଦା ତୋ ଅଙ୍ଗପ୍ରତ୍ୟଙ୍ଗ ।

 

ସେ ତୀବ୍ର ଶୋଷଣେ ନ ହୋଇ ତୁ କ୍ଷୟ,

ପ୍ରତ୍ୟୁତ ଅଧିକେ ହେଉ ରସମୟ ।

ଦାନେ ତୋ ଭଣ୍ଡାର ଲଭେ କ୍ରମେ ବୃଦ୍ଧି,

ବ୍ୟୟେ ବଢ଼େ ଯଥା ଦାତାର ସମୃଦ୍ଧି ।

 

ନ ଖାଇ ଯେ ପରେ ଯୋଗାଏ ଆହାର,

ଦାତା ଆଖ୍ୟା ଧନ୍ୟ ସାର୍ଥକ ତାହାର ।

ଉଦ୍ୟାନ, ତୁ ବଡ଼, ବଡ଼ ତୋ ହୃଦୟ,

ଯଥା ସୁଯଶସ୍ୱୀ ତଥା ଦୟାମୟ ।

 

ମଣି-ମୁକ୍ତାଖଚୀ ହର୍ମ୍ୟେ କରି ବାସ,

ବାନ୍ଧି ଅଶ୍ୱ ଗଜ, ରଖି ଦାସୀ ଦାସ,

ହୁଏ ନାହିଁ କେହି ବଡ଼ ଲୋକ କାହିଁ,

ବଡ଼ଲୋକୀପଣ ନୁହେଁ ନିଜପାଇଁ ।

 

ଅପରକୁ ବଡ଼ ଯେହୁ କରିପାରେ,

ସେହି ବଡ଼ଲୋକ ଏକା ଏ ସଂସାରେ ।

ବିଦୁଳ-ଜଟିଳ ବାଲିସ୍ତୂପାବଳୀ ୨

ଉପକଣ୍ଠେ ଶୋଭେ ରୌପ୍ୟଶୈଳଭଳି ।

୨- ବିଦୁଳି- ପାଣିବେତ

 

ନୁଳିଆ ବାଳିକା ଚୁଆ ଖୋଳି ତଳେ

ପୂରାଉଛି କୁମ୍ଭ ଡଙ୍କା ଡଙ୍କା ଜଳେ ।

ନୀରସରୁ ରସ ହେଉଛି ସମ୍ଭୂତ,

ପ୍ରକୃତି ସ୍ତନରୁ ଝରେ କି ଅମୃତ ।

 

ପୂର୍ବରେ ଜଳେନ୍ଦ୍ର, ପଶ୍ଚିମେ ମହେନ୍ଦ୍ର,

ବେନିଙ୍କର ତୁହି ସୀମାଶଂସୀ କେନ୍ଦ୍ର ।

ସାଗର ଅନନ୍ତ, ମହେନ୍ଦ୍ର ଅନନ୍ତ,

ବେନି ମଧ୍ୟେ ତୁହି ରୁଦ୍ର ସୀମାବନ୍ତ ।

 

ଦୁହିଙ୍କ ନୀଳିମା ଦ୍ୱିପାଶେ ତୋହର,

ପ୍ରତିଫଳ ତୋତେ କରେ ନୀଳତର ।

ଊର୍ଦ୍ଧ୍ୱେ ନୀଳାକାଶ ବିସ୍ତାରି ମହିମା,

ଢାଳୁଛି ତୋ ଶିରେ ଅନନ୍ତ ନୀଳିମା ।

 

ପଦତଳେ ରହି ଦୁର୍ବାନୀଳ ବେଳା

ନୀଳିମା ପ୍ରଦାନେ କରୁ ନାହି ହେଳା ।

ଚାରି ଦିଗେ ରହି ଚାରି ମହାଶକ୍ତି,

କରୁଛନ୍ତି କେତେ ଭାବ ଅଭିବ୍ୟକ୍ତି ।

 

ବାଲିଶୈଳ ଶିରୁ ତୋ ଦେହ ଲାବଣ୍ୟ,

ଯେ ଦେଖିଛି, ନେତ୍ରେ ମଣିଛି ସେ ଧନ୍ୟ ।

ଭାଷାରେ ସେ ଶୋଭା କରିବା ପ୍ରକାଶ,

ବୀଚିସଂଖ୍ୟା ପ୍ରାୟ ବିଫଳପ୍ରୟାସ ।

 

ନ କଳି କଳ୍ପନା ଯାଏ ତାକୁ ହାରି,

ଭାଷାର ରସନା ଜାଡ଼୍ୟେ ଯାଏ ଘାରି ।

ଉଦ୍ୟାନ, ତୋ ପଦେ ନିତ୍ୟ ବୀଚିମାଳୀ, ୧

ଦିଏ ଫେନ-ପୁଷ୍ପ ଶୁକ୍ତି-ରତ୍ନ ଢାଳି ।

୧- ସମୁଦ୍ର ।

 

ଉଦ୍ୟାନ, ତୋ ବକ୍ଷେ ବହୁ ତୁଙ୍ଗ କିଆ,

ଠିଆହୋଇ ଦୂରୁ ଦିଶେ ରାକ୍ଷସିଆ ।

ସୁଆଁଲ ବଲ୍ଲରୀ ଭିଡ଼ି ଅପଘନ,

ଅର୍ପିଅଛି ପ୍ରାଣଫଟା ଆଲିଙ୍ଗନ ।

 

ଅହୋ, କି ନିର୍ମମ କଠୋର ଆଶ୍ଳେଷ,

କିଆ ଅଙ୍ଗେ କ୍ଷତ ବହିଛି ବିଶେଷ ।

ମଧୁର ପ୍ରଣୟ ହୋଇ ଅସଂଯତ,

ଯନ୍ତ୍ରଣା-ଗରଳେ ଶେଷେ ପରିଣତ ।

 

ବହୁ ରାମଫଳ ୨ ବହି ରକ୍ତକାନ୍ତି,

ଜନ୍ମାଉଛି ଦୂରୁ ପଦ୍ମରାଗ ଭ୍ରାନ୍ତି ।

ନିବସି କୁଟୀରେ ତାଳପତ୍ରାଚ୍ଛନ୍ନ,

କରେ କୃଷୀବଳ ତଥ୍ୟ ଉଦ୍ଭାବନ ।

୨- ଗ୍ରୀଷ୍ମକାଳୀନ ସପୁରି ଆତକୁ ଗଞ୍ଜାମ ଅଞ୍ଚଳରେ ରାମଫଳ କହନ୍ତି ।

 

ବହୁ ପୁରୁଷର ବହୁ ସ୍ମୃତି-ବିତ୍ତ,

ଏହି ବରଡ଼ାରେ ରହିଛି ଜଡ଼ିତ ।

ଏହି ପତ୍ରେ ତାର ଜୀବନର କଥା,

ରହିଛି ଲିଖିତ ପ୍ରଚ୍ଛନ୍ନେ ସର୍ବଥା ।

 

ପାଠପୋଥି ତାର ଏ ବରଡ଼ା ଚାଳ,

ଶିଖାଉଛି ତାକୁ ପାଠ ଚିରକାଳ ।

ଗୃହୀ ଯୋଗୀ ସେହୁ, ଗୃହବେଦିକାରେ,

ସାଧଇ ଆଜନ୍ମ ଯୋଗେ ନିର୍ବିକାରେ ।

 

ସେ ମହାଯୋଗୀଙ୍କ ପଙ୍କଜ ପୟରେ

ସମ୍ଭ୍ରମେ ସମାଜ ନମସ୍କାର କରେ ।

ଦୂର ଶୋଭା ତୋର ଦର୍ଶନ ଆକୁଳେ,

ଚଢ଼ିଲି ଉଦ୍ୟାନ ! ସୂଚୀ ଶୈଳ ଚୂଳେ । ୩

୩- ଇଚ୍ଛାପୁରସ୍ଥ ଛୁଞ୍ଚି ପର୍ବତ ।

 

ନଗ୍ନ ଦୁରାରୋହ କର୍କରା-କର୍କଶ,

ଶିଖର ତାହାର ସୂକ୍ଷ୍ମ ଅଭ୍ରଂକଷ ।

ହୋଇଛି ସେ ଚୂଡ଼ା ଦୁର୍ଲଭାରେ ୪ ମଣ୍ଡି,

ତହିଁ ପରେ କେତେ ମାଡ଼ିଛି ଅତଣ୍ଡି ।

୪- ଲଣ୍ଡାବାଗୁଲି ଗୁଳ୍ମ ।

 

ପ୍ରୌଢ଼ ଗିରି ମାଥେ ଠାବେ ଠାବେ ଅବା,

ପ୍ରକାଶିଛି ପକ୍ୱ କେଶ ରୌପ ପ୍ରଭା ।

ହେରିଲି ତହୁଁ ତୋ ଚିର ନିରୂପମା,

ଜଗଜନ୍ମ-ମନୋମୋହିନୀ ସୁଷମା ।

 

ବଞ୍ଜୁଳ-ନିକୁଞ୍ଜ-ମଞ୍ଜୁଳ-ମଞ୍ଜୁଷା-

ଯୋଷା-ଶିରଖୋଷା ନୈସର୍ଗିକ ଭୂଷା,

ଗଞ୍ଜାମ ମଣ୍ଡଳେ ଗିରିଚକ୍ରବର୍ତ୍ତୀ,

ମହେନ୍ଦ୍ର ଅଚଳ ମହେନ୍ଦ୍ର-ବସତି ।

 

ରହି ରେ ଉଦ୍ୟାନ, ତୋର ପୃଷ୍ଠଦେଶେ,

ଦେଖୁଛି ତୋ ଶୋଭା ସଦା ନିର୍ନିମେଷେ ।

କୁରଙ୍ଗୀ-ସେବିତ ସୁରଙ୍ଗୀ ଧରାର

ବକ୍ଷ-କଉସ୍ତୁଭ କୃଷ୍ଣାଭ୍ର ଆଧାର,

 

ମହେନ୍ଦ୍ର ସଙ୍କାଶ ତୁଙ୍ଗ ତାଳଗୁଡ଼ି, ୧

ଯାଏ ତୋ ଶୋଭାରେ ଆତ୍ମଜ୍ଞାନ ହୁଡ଼ି ।

ନାକେଇ ପର୍ବତ ରହି ସନ୍ନିଧାନେ, ୨

କି ଗୁପ୍ତ ଉଦନ୍ତ ଜଣାଏ ତା କାନେ ।

୧- ସୁରଙ୍ଗୀ ରାଜ୍ୟସ୍ଥ ସର୍ବୋଚ୍ଚ ପର୍ବତ । ଏହାର ଉଚ୍ଚତା ପ୍ରାୟ ମହେନ୍ଦ୍ରର ସମକକ୍ଷ । ଏହି ପର୍ବତରେ କୃଷ୍ଣାଭ୍ର ମିଳେ ।

 

୨- ତାଳଗୁଡ଼ିର ପାର୍ଶ୍ୱବର୍ତ୍ତୀ ପର୍ବତ । ଏହାର ଶିଖର ନାସିକାକୃତି ।

 

ଛିନ୍ନବାହୁ ମୁନି-ସୁତେ ବାହୁ ଦାନ-

ହେତୁ ଟେକ ଯାର ବିପୁଳ ସମ୍ମାନ । ୩

ସେହି ଚିରନୀରା ବାହୁଦା ତଟିନୀ,

ହୋଇଅଛି ତୋର କଣ୍ଠବିଶୋଭିନୀ ।

୩- ଗୋଟିଏ କ୍ଷୁଦ୍ର ନଦୀ । ପ୍ରବାଦ ଅଛି, ଜନୈକ ରାଜଦଣ୍ଡପ୍ରାପ୍ତ ଛିନ୍ନହସ୍ତ ମୁନିକୁମାର ଏହି ନଦୀ ମଧ୍ୟରେ ତପସ୍ୟା କରୁ କରୁ ତାଙ୍କର ବାହୁ କଅଁଳି ଉଠିବାରୁ ନଦୀର ନାମ ବାହୁଦା ହୋଇଅଛି ।

 

ବୈନତେୟଭୀତ ଭୁଜଙ୍ଗିନୀ ପରି,

କୁଟିଳେ ପ୍ରଖରେ ପ୍ରଧାବେ ସୁନ୍ଦରୀ ।

ଶାଖା ଉପଶାଖା ବିସ୍ତାରି ବିଶେଷ

ରଖିଅଛି ଛନ୍ଦି ଦୃଢ଼େ ବହୁ ଦେଶ ।

 

ଛନ୍ଦିଥାଏ ଯଥା ବହୁ ଆଶାଲତା,

ବିଷୟ-ବାତୁକ ହୃଦୟେ ସର୍ବଥା ।

କି ଅବା ପ୍ରକୃତି-କମଳା କଣ୍ଠରେ,

ଶତଦଳ ହାର ଗୁରୁ ଶୋଭା ଧରେ ।

 

ରେ ଉଦ୍ୟାନ, ସିନ୍ଧୁ ଅଙ୍ଗେ ତୋ ସମ୍ମୁଖେ

ମିଶାଏ ବାହୁଦା ତନୁ ମହାସୁଖେ ।

ବିସ୍ତାରି ସ୍ୱକର ତରଙ୍ଗ ଛଳରେ

ମହାସିନ୍ଧୁ ତାକୁ ଆଲିଙ୍ଗନ କରେ ।

 

ସେ ସଙ୍ଗମସ୍ଥଳ ଭବ-ତମୋନାଶୀ,

ପରଶେ ପଳାଏ ଦେହୁ ପାପରାଶି ।

ଅପହରି ବେଦ ସତ୍ୟେ ଶଙ୍ଖାସୁର,

ସିନ୍ଧୁ ମଧ୍ୟେ ଯାଇ ଲୁଚିଲାକ କ୍ରୂର ।

 

ବେଦ ଉଦ୍ଧାରାର୍ଥେ ପ୍ରଭୁ ବିଶ୍ୱଭୂପ,

ଧରିଲେ ବିରାଟ ରୋହି ମତ୍ସ୍ୟ ରୂପ ।

ଖେଳିଲେ ଚହଟି ସମୁଦ୍ର ଗର୍ଭରେ,

ଖୋଜିଲେ ଦୈତ୍ୟାରି ସେ ଦୈତ୍ୟ ପାମରେ ।

 

ସେ କାଳେ ସେ ମତ୍ସ୍ୟ ପୂଚ୍ଛ ଆନ୍ଦୋଳନେ,

ଘୋରାବର୍ତ୍ତେ ବାରି ଆବର୍ତ୍ତିଲା ଘନେ ।

ରତ୍ନାକର ଗର୍ଭୁ ରତନନିକର

ଆଉଜି ଆସିଲା ବେଳାକୁ ସତ୍ୱର ।

 

ବହୁଦୂର ଯାଏ ପୋତିଗଲା ବେଳା,

ବିସ୍ତୀର୍ଣ୍ଣ ପ୍ରାନ୍ତର ରତ୍ନେ ସୃଷ୍ଟ ହେଲା ।

ଏଥୁ ଅନ୍ତେ ମିଳି ଅସୁର ଅମରେ

ସୁଧା-ଲାଭ ଆଶେ ମନ୍ଥିଲେ ସାଗରେ ।

 

ସଘନେ କ୍ଷୀରାବ୍‌ଧି ହେଲା ଆନ୍ଦୋଳିତ,

ଭାସିଣ ଉଠିଲା ଊର୍ଦ୍ଧ୍ୱେ ନବନୀତ ।

ତରଙ୍ଗ ତାହାକୁ ବହି ସ୍ତରେ ସ୍ତରେ,

ପକାଇଲା ପୂର୍ବବର୍ଣ୍ଣିତ ପ୍ରାନ୍ତରେ ।

 

ପାରାଧୌତ ପ୍ରାୟ ଦିଶିଲା ସେ ସ୍ଥଳ,

ଦିବ୍ୟ ମନୋହର ନିର୍ମଳ ଉଜ୍ଜ୍ୱଳ ।

ଭ୍ରମୁ ଭ୍ରମୁ ଦିନେ ବାରୁଣୀ ସହିତ,

ବରୁଣ ସେ ସ୍ଥାନେ ହେଲେ ଉପସ୍ଥିତ ।

 

ବିବରିଲେ ପାଶୀ ଜଳେଶ୍ୱରୀ ପାଶ,

ସେ ରମ୍ୟ ସ୍ଥାନର ଜନ୍ମ-ଇତିହାସ ।

ଶୁଣି ତା ବାରୁଣୀ ବୋଇଲେ ଏସନ,

ରଚ ଏ ସ୍ଥାନରେ ପ୍ରମୋଦକାନନ ।

 

ହେଉ ସେ ହରିଙ୍କ ଅବତାର ସ୍ମୃତି,

ଏତିକି ମାଗୁଣି ତବ ପଦେ କୃତି ।

ତହୁଁ ଜଳପତି ଦେବଶିଳ୍ପିବରେ,

ଆହ୍ୱାନ ଆଦେଶ ଦେଲେକ ସତ୍ୱରେ ।

 

ବିଶ୍ୱକର୍ମା ତୁମ୍ଭେ ବାରୀନ୍ଦ୍ରାଣୀଙ୍କର,

ପ୍ରମୋଦକାନନ ବିରଚ ସତ୍ୱର ।

ଅଛି ଯେତେ ଯହିଁ ଉଦ୍ଭିଦ ସଂସାରେ,

ରୋପିବ ଏଠାରେ ଆଣି ଏକାଧାରେ ।

 

ଶୁଣି ବିଶ୍ୱକର୍ମା ରଚିଲେ ଉଦ୍ୟାନ,

ସେହି କାଳୁ ତାହା ଅଛି ବିଦ୍ୟମାନ ।

ବହିଅଛି ନାମ ସେ ଉଦ୍ୟାନଖଣ୍ଡ,

ପାଳୁଛି ସେ ଦିନୁ ସୁବ୍ରତ ଅଖଣ୍ଡ ।

 

ପ୍ରତିଯୋଗୀ ତୋର ନାହିଁ ରେ ଉଦ୍ୟାନ,

ଅଟୁ ଯେଣୁ ତୁହି ମହାନୁ ମହାନ ।

ଚାହିଁ ଦେଲେ ତୋତେ ଚାହିଁ ନିଜ ଦେହ,

ସ୍ୱତଃ ଜନ୍ମେ ମନେ ଅସ୍ମିତା ସନ୍ଦେହ ।

 

ତୋ କାର୍ଯ୍ୟ ସହିତ ସ୍ୱକାର୍ଯ୍ୟ ତୁଳନା,

କରିବାର ସିନା କେବଳ ଅଲଣା ।

ତୁହି ନିତ୍ୟ ଧ୍ରୁବ ସତ୍ୟ ସୌମ୍ୟ ଶିବ,

ବରୁଣ ରାଜାର ପ୍ରଧାନ ସଚିବ ।

 

ନିର୍ବାକ ମନ୍ତ୍ରଣା ଅର୍ପୁ ନିତି ନିତି,

ଜଟିଳ କୁଟିଳ ଗୂଢ଼ ରାଜନୀତି ।

ପ୍ରକୃତି, ପ୍ରକୃତିଦତ୍ତ ନରଶକ୍ତି,

ବେନିଏ ତୋ ପ୍ରତି ବହି ଅନୁରକ୍ତି ।

 

ମଣ୍ଡନ୍ତି ସୌନ୍ଦର୍ଯ୍ୟ ତୋହ କଳେବର,

ସୁନ୍ଦର ମଧ୍ୟେ ତୁ ଅନିନ୍ଦ୍ୟ ସୁନ୍ଦର ।

ସ୍ୱଭାବ କୃତ୍ରିମ ମଧୁର ମିଳନେ,

ମିଳି ହସୁଛନ୍ତି ତୋହ ଅପଘନେ ।

 

ପରସ୍ପର ଶୋଭା ମିଶାଇ ଉଭୟ,

ଉପମା ସୃଷ୍ଟିକୁ କରିଛନ୍ତି ଜୟ ।

ବିତରୁ ସତତ ଜୀବ-ରାଜ୍ୟେ ଶୁଭ,

ବେଳା ବକ୍ଷେ ତୁହି ମର୍କତ କୌସ୍ତୁଭ ।

 

ଉତ୍ତରେ ହିମାଦ୍ରି, ଯାମ୍ୟେ ସିନ୍ଧୁ ସୀମା,

ବିଦିତ ସର୍ବତ୍ର ତୋ ମହାମହିମା । *

ତୋହ ପରିପୁଷ୍ଟ ସ୍ୱାଦୁ ଫଳେ ମୋହି,

ସାଗ୍ରହେ ଦେବତା କରନ୍ତି ମଣୋହି ।

* ଉଦ୍ୟାନଖଣ୍ଡର ଫଳ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସବୁ ସ୍ଥାନକୁ ଯାଏ ।

 

ଶୋଭା-ରଙ୍ଗର ତୁ ନୟନ ସଙ୍ଖାଳି,

ଅନନ୍ତ ଶିକ୍ଷାର ବିଶାଳ ଚାହାଳୀ ।

ଅର୍ପେ କୃଷୀବଳ ଗୁରୁରୁପେ ସନ୍ଥ,

ତରୁ ଲତା ଗୁଳ୍ମ ସାର ଜ୍ଞାନ-ଗ୍ରନ୍ଥ ।

 

ଦର୍ଶକନିକର ବିଦ୍ୟାଲିପ୍‌ସୂ ଚାଟ,

ଶିଖନ୍ତି ପ୍ରତ୍ୟହୁ ପ୍ରାଣପୋଷା ପାଠ ।

ଅଥବା ତୁ ବିଶ୍ୱ-କୃଷି-ପ୍ରଦର୍ଶନୀ,

ନତୁବା ଆଦର୍ଶ ନବ ରତ୍ନଖଣି ।

 

ତୋ ଭଣ୍ଡାରେ ସବୁ ଦୁର୍ଲ୍ଲଭ ସର୍ବଥା,

ଅଭାବ ନୈରାଶ୍ୟ, ନାହିଁ ବିଫଳତା ।

ଉଦ୍ୟାନରେ କେହି କରି କେଉଁ ଚାଷ

ଶୁଣା ନାହିଁ କେବେ ହୋଇଛି ନିରାଶ ।

 

ପ୍ରତ୍ୟୁତଃ ଚଷିଛି, ଯେହୁ ଭୂମି ମାଣେ,

ସୁଖସ୍ୱଚ୍ଛନ୍ଦତା ପୂର୍ଣ୍ଣ ତାହା ପ୍ରାଣେ ।

ଯେଉଁ ଶାନ୍ତି-ସୁଧା ବହେ ତା କୁଟୀରେ,

ଅସୁଲଭ ତାହା ନୃପତି ମନ୍ଦିରେ ।

 

କୃଷକ ଆସନ ସହ ରାଜାସନ,

ବିନିମୟେ ତାର ନ ବଳିବ ମନ ।

ମିଳନ ଉଷ୍ଣୀଷ ତାର ତୃପ୍ତି ଉତ୍ସ

ନୃମଣିମହୁଡ଼ ତା ନୟନେ ତୁଚ୍ଛ ।

 

ହେଉ ପଛେ ଚିର ନୃପାଧୀନ ପ୍ରଜା,

ମାତ୍ର ସେ କୁଟୀରବାସୀ ମହାରାଜ ।

ଉଦ୍ୟାନ, ତୋ ଅଙ୍କ-ସ୍ୱର୍ଗ ପରିହରି,

ବାହୁଡ଼ୁଛି ଦଗ୍‌ଧ ଅଦୃଷ୍ଟ ଆଦରି ।

 

ଆସିଥିଲି ମନେ ବାନ୍ଧି କେତେ ଆଶା,

ମାତ୍ର ନ ମେଣ୍ଟିଲା ଦୂରନ୍ତ ପିପାସା ।

ବହୁବର୍ଷବ୍ୟାପୀ ତୋ ଅଙ୍କ ଭ୍ରମଣ-

ସୁଖ ଲଭିଥିଲେ ହୋଇଥାନ୍ତି ଧନ୍ୟ ।

 

ମାତ୍ର ଏ କଳ୍ପନା ସର୍ବଥା ଅବିଧି,

ସ୍ୱପ୍ନ ସିନା ଦୀନ ଭାଗ୍ୟେ ଇଷ୍ଟ ସିଦ୍ଧି ।

ରହିଲା ହୃଦୟେ ଭେଦି ଦୁଃଖ-ଶଲ୍ୟ,

ଯାଉଅଛି ଘେନି ବିରାଟ ବୈଫଲ୍ୟ ।

 

ସହିବି ସିନା ମୁଁ ଜୀବନଟା ସାରା,

ଅତୃପ୍ତ ଆକାଙ୍‌କ୍ଷା ବଜ୍ର ବୃଷ୍ଟିଧାରା ।

ନ ଦେଖିବା ଥିଲା ଶତଗୁଣେ ଭଲ,

ଦେଖି ସିନା ଖାଲି ହେଲି କଲବଲ ।

 

ନ ନିଭିବ ହୃଦୁ ବିଷାଦର ଗାର,

ହେବ ମୋ ସମ୍ବଳ ବ୍ୟର୍ଥ ହାହାକାର ।

କରିବାକୁ ପୂର୍ଣ୍ଣ ନାହିଁ ମୋ ତପସ୍ୟା,

ତୋ ଶୋଭା-ଶ୍ଳୋକର ପବିତ୍ର ସମସ୍ୟା ।

 

କାହିଁ ହିମାଳୟ, କାହିଁ ପିପୀଲିକା,

କାହିଁ ଜୀର୍ଣ୍ଣତରୀ, ବିଶାଳ ଚିଲିକା,

କାହିଁ ମହାକାଶ, କାହିଁ କ୍ଷୁଦ୍ର ମଶା,

ଲଙ୍ଘିବା ଦୁରାଶା ସିନା ଲୋକହସା ।

 

ହେରିଲି ଯାହା ତୋ ଶୋଭା ଆଉ ଥରେ,

ଦେବ ବର ନିଶ୍ଚେ ତାହା ମୋ ଭାଗ୍ୟରେ ।