ରକ୍ତ ଝଙ୍କାର

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

ରକ୍ତ ଝଙ୍କାର

(୧)

-ଏଇ ଶପଥ ମୁଁ ନେଲି-

ବିନ୍ଦୁଏ ରକତ ଥିବାଯାଏ ଦେହେ,

ଏଇ ଶପଥ ମୁଁ ନେଲି,-

ମୋ ଜନମ-ମାଟି ଧୂଳିରୁ ମୁଠିଏ

ଆନେ ମୁଁ ନଦେବି ବୋଲି ।୦।

 

ଏ ମାଟି, ଏ ପାଣି, ଏ ଦେଶ ପବନ,-

ବଢ଼ାଇ ପାଳିଛି ଏଇ ମୋର ଜୀବନ,

ଏ ମଥା ତାହାରି, ଏ ବାହୁ ତାହାରି,

ଏ ଦେହ ତାହାରି ଖାଲି,

ସାର୍ଥକ ହେବ ମୋ ଜନମ, ମରଣ,

ତା’ ନାମ ଯେବେ ମୁଁ ନେଲି ।୧।

 

ଦେଇ ସେ ଯାଉଛି, ଚାହିନାହିଁ କିଛି,

ଯାହା ମନାସିଛି, ତାହା ମୁଁ ପାଇଛି,

ଏଡ଼େ ସ୍ନେହମୟୀ, ଏଡ଼େ ଦୟାମୟୀ,

ତାଠାରୁ କେ ଅଛି ବଳି ?

ଧରମ, କରମ ବିଅର୍ଥ, ଯେବେ ତା’

ସେବାର ଯୋଗା ନ ହେଲି ।୨।

 

 

ଅଧିକାରେ ମୋର ବାଧା କେହି ଦେଲେ,

ଝାସିବି ପ୍ରଚଣ୍ଡ ସମର-ଅନଳେ,

ମରଣ ସରିକି, ଲଢ଼ିବି ତା’ତୁଲେ-

ମାଆ ଜୟ-ଗୀତି ବୋଲି,

ଆଗେ ବଢ଼ିବି ମୁଁ, ଖର ଅସି ଧରି

ଯେତେ ଝଡ଼ ଝଞ୍ଜା ଠେଲି ।୩।

ଏଇ ଶପଥ ମୁଁ ନେଲି ।

(୨)

-ଆଗେ ବଢ଼, ଆଗେ ବଢ଼-

ଅମର ଦେଉଳ ଦୁଆ, ଗଢ଼

ଆଗେ ବଢ଼- ଆଗେ ବଢ଼ ।୦।

 

ଆମ ଘରେ ପଶି ଖଣ୍ଟ ଜାତି

ଲୁଟି ନେବେ ଭାବେ ଆମରି ଥାତି

ଜଳ ଜଳ ଚାହିଁ ସହିବି କିଏ ସେ

ଥିବାଯାଏ, ଜୀବ, ଚମ, ହାଡ଼ ? ।୧।

 

ଆମେ ଚାହୁନାହୁଁ ପର ଭୂଇଁ;

ଆମେ ଶିଖିନାହୁଁ ମାଗିଖାଇ

ବଳ ଦେଖାଇ ଯେ, ଆମ ହିଡ଼ ଭାଙ୍ଗେ

କାନ୍ଧ ମିଶାଇ ରେ, ତାକୁ ତଡ଼ ।୨।

 

ଗାଡ଼ ଗାଡ଼ ତାର ଚକା ଆଖି

ପେଚା ନାକ ଗିରିଧିନୀ ପକ୍ଷୀ

ଆମ ଦେବ ଭୂଇଁ, ସେ ପୁଣି ଛୁଇଁବ,

ଚୂରିଭାଙ୍ଗି ସିଂହନାଦ ବାଡ଼ ।୩।

 

ଜନମ ଦେଇଛି ଯେଉଁ ଭୂଇଁ,

ବଢ଼ାଇଛି ଭାତ, ଲୁଗା ଦେଇ,

କମର କଶରେ, ସମରେ ଝାସ ରେ,

ମାଆ ନାଆଁ ଧରି ଡେଇଁପଡ଼ ।୪।

 

ଧରମ ଆମର ଚିର-ସାଥୀ,

ବୀରପଣେ ଦିଅ ବୁକୁ ପାତି

ହଟାଅ ଅରାତି, ରଖରେ କୀରତି,

ବଡ଼ ଦେଉଳରୁ ସେ’ଯେ ବଡ଼ ।୫।

ଆଗେ ବଢ଼-ଆଗେ ବଢ଼

(୩)

-ଜାଣ ନା କି ତୁମେ ?-

ଜାଣନା କି ତୁମେ, ମୁଁ ଯେ, ରାଜାର କୁମର

ରବି, ଶଶୀ, ତାରା,- ସାରା ବିଶ୍ୱ ପ୍ରଜା ଯା’ର ।୦।

 

 

ଧନ ବୋଲ, ରତ୍ନ ବୋଲ, ପିତୃ ଧନେ ଧନୀ

ଜ୍ଞାନ ବୋଲ, ମାନ ବୋଲ, ବୁଁ ଯେ ଅଭିମାନୀ

ବଳିଆର ବାହୁ ଥାଉଁ କାହାରେ ମୋ ଡର ? ।୧।

 

ବାୟୁ କରେ ସେବା ମୋର, ପାଦ ଧୁଏ ସିନ୍ଧୁ

ନ୍ୟାୟ, ନୀତି ସାଥୀ ମୁଁ ଯେ ଅହିଁସାର ବନ୍ଧୁ

ମୁଁ କାହିଁକି ମାନିବି ରେ ପର ଅଧିକାର ? ।୨।

 

ଜନ୍ମ ମୋର ଯେ ଭୂଇଁରେ, ସେ ଯେ ରାଜରାଣୀ

ବିଶ୍ୱ ତା’ର ପୂଜାକରେ ହିମ-କିରୀଟିନୀ

ସେଇ ମାଆ ସନ୍ତାନ ମୁଁ ମହା-ଭାରତର ।୩।

 

ମଥା ମୋର ନୁଆଁଇବି ସେଇ ଭୂଇଁ ପାଦେ

ତା’ଲାଗି ରେ ପାସୋରିବି ଆତ୍ମ-ପର ବାଦେ,

ମରି ଅବା ମାରି ଅରି, ହେବି ମୁଁ ଅମର ।୪।

 

ସମରେ ଝାସିବି, ଗାଇ ତା’ରି ଜୟଗୀତି,

‘ମାଭୈ ମାଭୈ’ ରବେ ଫୁଲାଇ ମୁଁ ଛାତି,

ଜୀଇଁଥାଉଁ ନ ସହିବି ଗତିରୋଧ କା’ର ।୫।

()

-ରାଜନନ୍ଦିନୀ ମୁହିଁ-

ରାଜନନ୍ଦିନୀ ମୁହିଁ, ରାଜନନ୍ଦିନୀ ମୁହିଁ,

ଡର କାହାକୁ, ଭୟ କାହାକୁ

ମୋତେ ଜଣା ନାହିଁ ।୦।

 

ହୀରା ମୋତି ମାଣିକର

ଅଭାବ କି ଅଛି ମୋର ?

ଖଣି-ଗନ୍ତାଘରେ ସବୁ ସାଇତା ମୋ’ ପାଇଁ ।୧।

 

ମାଆ ମୋର ରାଜରାଣୀ

କୋଟି ବୀର ପ୍ରସବିନୀ

ପାଦେ ହୀରା-ଫୁଲ, ସିନ୍ଧୁ ଲହରୀ ଭେଟଇ ।୨।

 

ପିତା ମୋର ମହାଶୟ,

ବିଶ୍ୱ ଲୋଡ଼େ ଯା’ଆଶ୍ରୟ

ଏଇ ଘର କନ୍ୟା- ଦୁର୍ଗାବତୀ, ଲକ୍ଷ୍ମୀବାଈ ।୩।

 

ବୀରା ମୁହିଁ, ଧୀରା ମୁହିଁ,

ବଳ ବପୁ ଧରେ ମୁହିଁ,

ଘର ନାଆଁ ରଖିବି ମୁଁ ଏ ଜୀବନ ଦେଇ ।୪।

ରାଜନନ୍ଦିନୀ ମୁହିଁ

 

()

-ଏଇ ମୋ ଜନ୍ମଭୂମି-

ଏଇ ମୋ ଜନମ ଭୂମି-ସରଗରୁ ଗରୀୟସୀ,

କଥାରେ ଶୁଣିଛି ସ୍ୱର୍ଗ-ଦେଖିଛି କହୁ କେ ଆସି ।୦।

 

ତା’ର, ଚାରୁ ଚରଣତଳେ,

ନୀଳ-ସାଗର ଜୁହାରେ ଭୋଳେ,

କୋଟି ଉର୍ମି ଧବଳ ଫୁଲେ-

ଭେଟି, ଜନନୀରେ ଥାଏ ତୋଷି ।୧।

 

କଟି-ତଟେ ତା ବିନ୍ଧ୍ୟାଚଳ

ନିତି, ସଜାଡ଼େ କମ ମେଖଳ

ତାଳ ତମାଳ ରସାଳ ଦଳ

ଢାଳେ, ଚାମର ମଳୟେ ଭାସି ।୨।

 

ନୀଳ-ଯମୁନା ସାଜେ ତା ବେଣୀ

ପୂତ-ଗଙ୍ଗା ପଖାଳେ କାନି

କୋଟି-ନିର୍ଝର;-ପ୍ରବାହିଣୀ

ମୋର ଜନନୀର ସେବାଦାସୀ ।୩।

 

 

ହିମଗିରି ଶୁଭ୍ର କିରୀଟିନୀ

ଜଗ-ବନ୍ଦିତା, ରାଜରାଣୀ

ବେଦ-ପଠନ-ନିରତ ମୁନି

ତାର ଜୟ ଜୟ ବାଣୀ ଘୋଷି ।୪।

 

ପରିସର ତା’ ବକ୍ଷ’ପରେ

ହ୍ରଦ ଥିର ଦରପଣ ଧରେ

ରସି, ଶାଶଧର ଖେଳା କରେ

ନଭ ତଟ ପଟୁ ଖସି ଆସି ।୫।

 

()

-ଭାବନା କାହିଁକି ମାଆ ।-

ତୋର, ଭାବନା କାହିଁକି ମାଆ ।

କୋଟି ସନ୍ତାନ ଧରିଛୁ କୋଳରେ-

ରଖିବେ ସେ ତୋର ନାଆଁ ।୦।

 

ଏଇ ତୋ କୋଳର ମୁନି, ଋଷି

ଯାଇଛନ୍ତି ପରା ଘୋଷି ଘୋଷି :-

ବସୁଧାକୁ ଯିଏ କୁଟୁମ୍ୱ ର୍ବିଚାରେ

ଆମେ ସେଇ ଘର ଛୁଆ ।୧।

 

ଆମେ ଚାହୁଛୁଁ ଧରାରେ ଶାନ୍ତି

ଆମେ ଚାହୁଛୁଁ ଧରାର ମୁକ୍ତି

ପରର ପୀଡ଼ନ-ନୁହେଁ ଆମ ନୀତି

‘ଅହିଂସା’ ଆମ ଦୁଆ ।୨।

 

ଆମେ ଲାଞ୍ଛାନା ସହି କିନ୍ତୁ,-

ଆମ ଶାନ୍ତି ଆମେ ନଚିନ୍ତୁ,

ଆମେ ହାତ ପତା-ଭିଖାରୀ ନୋହୁ ମା’

ଆମେ ନୋହୁଁ ମଥା-ନୁଆଁ ।୩।

 

ଯା’ରେ ଅରି ବୋଲି ଆମେ ମଣୁ

ତା’ରେ ଉତ୍ତର ଦେଇ ଜାଣୁ,

ମାରିବୁ କି ଅବା ମରିବୁ, ଆମର-

ସରଗେ ଆସନ ଥୁଆ ।୪।

ଭାବନା କାହିଁକି ମାଆ ।

()

-ହୁଅ ତୁମେ ଆଗୁଆନ-

ସମ୍ମୁଖେ ଅରି,-

ନର ଲହୁ ଲେଲିହାନ

ଜାଗ ରେ ଯବାନ୍‌।

ହୁଅ ତୁମେ ଆଗୁଆନ ।୦।

 

କାଣିଚାଏ ମାଆ ମାଟି,

ତୁମ ସମ୍ପଦ ସେ’ଟି,

ନେବ ବୋଲି ଆଜି ଲୁଟି

ବର୍ବର ଆସି-ଗର୍ବ କରୁଛି,

ଖର୍ବ କର ତା’ମାନ,

ରଣ ତାଣ୍ଡବେ, ନାଚରେ ମୂରୁଛି,

ସାରା ତନ, ମନ, ଧନ ।୧।

 

ଆରେ, ରେ ଶୃଙ୍ଗଧର ।

ଦିଅରେ ପ୍ରତ୍ୟୁତ୍ତର,

ହୁଅ ବୀର, ଆଗୁସାର

ଜାଳିଦିଅ ତୁମେ, ହିଂସୁକ ଶିରେ,

ଖାଣ୍ଡବ ହୁତାଶନ,

ପ୍ରଳୟ ନଟନେ, ରଚ ତାଣ୍ଡବ

ଦେଇ ଘନ ଗର୍ଜନ ।୨।

 

ତୁମେ ରେ କର୍ମବୀର,

ତୁମେ ରେ ଧର୍ମବୀର

ଉନ୍ନତ ଚିର ଶିର,

ଶାନ୍ତି ନୁହଇ-ପର ଅଧୀନତା

ହରାଇ ମାଟିର ମାନ,

ହିଂସୁକ ପାଇଁ, ସହଣିକ ନୀତି

ନୁହେଁ ରେ ବେଦ-ବିଧାନ ।୩।

 

ମାଭୈ, ମାଭୈ ବୋଲ

ଅରି ବଳ ଦଳି ଚାଲ

ପଳାଇବେ ଫେରୁ ପଲ,

ଶତ ସିଂହର ବିକ୍ରମ ଘେନି,

ଚାଲ ଭାରତ ସନ୍ତାନ,

ଭେଦାଭେଦ ଭୁଲି କଣ୍ଠ ଗାଉ ରେ

ଜନନୀର ଜୟଗାନ ।୪।

ହୁଅ ତୁମେ ଆଗୁଆନ

()

-ନମ ରେ ନମ, ଚଉବାହାକୁ-

ତୋର ଡର କାହାକୁ

ଭୟ କାହାକୁ ?

ନମ ରେ ନମ ଚଉବାହାକୁ ।୦।

 

କଳା, ଧଳା ଘୋଡ଼ାରେ ଚଢ଼ି

ଏଇ ତ ଦିନେ ଥିଲେ ରେ ଲଢ଼ି,

ଜାଗରେ ଜାଗ ଜାଗ ।

ଅଭୟ ମାଗ, ମାଗ,

ସମରେ ପଶ ଡାକି ତାହାକୁ ।୧।

 

ବିଶ୍ୱାସରେ ଡାକି ‘ଭାଇ’

ଗଳା କାଟେ ଯେ ଘରେ ଥାଇ,

ମୁଷ୍ଟି କର ଦୃଢ଼

ଦ୍ୱାରୁ ତାକୁ ତଡ଼,-

ଶତ୍ରୁ ବୋଲି ଜାଣୁ ଯାହାକୁ ।୨।

ନମ ରେ ନମ, ଚଉବାହାକୁ

()

ଜାଗ ! ଜାଗ !

ଜାଗ, ଭୈରବ ଜାଗ ।୦।

 

ଜାଗ, ହର, ଧର ତ୍ରିଶୂଳ ଡମ୍ୱରୁ

କମ୍ପି ଉଠୁ ରବେ କୈଳାଶ ମେରୁ,

ପୁଣ୍ୟ ପୀଠ ତବ

ସହେ ପରାଭବ

ମାଗେ ଧରଣୀ ଅନୁରାଗ,

ଜାଗ, ଜାଗ ! ।୧।

 

କପଟରେ ରଚି ମିତ୍ରତା ଅରି

ଶାନ୍ତ ଘର କୋଣେ ବିଷ ଦିଏ ଭରି,

ପଳୟ ତାଣ୍ଡବ

ରଚ ଶମ୍ଭୁ ଶିବ

ମାତୁ ଭାରତ ଦିଗଭାଗ

ଜାଗ, ଜାଗ ! ।୨।

 

ଦିଅ ହେ, ଆଶିଷ ଭୁବନ-ଈଶ୍ୱର !

ଜନନୀର ଟେକ ରହୁ ହେ ନଶ୍ୱର,

ଶତ ସିଂହ ବଳେ,

ଅରି ଜିଣି ହେଳେ

ପୂଜିବୁଁ ତବ ପଦ ଯୁଗ

ଜାଗ, ଜାଗ ! ।୩।

 

(୧୦)

-କରୁ ନାହିଁ ପଦେ ଅଳି-

ଜଗନ୍ନାଥ, କରୁ ନାହିଁ ପଦେ ଅଳି-

ରଖ ବିପଦରୁ ବୋଲି ।୦।

 

ଜନମ ଦେଇଛ, ଜାଣିଛି ବିଧାତା,- ମରଣରୁ ସତ ନାହିଁ,

ଜୀବ ଥିବା କାଳ ହେଉ ସାର୍ଥକ ମାଆ ମାଟି ସେବା ଧ୍ୟାୟୀ,

ଯାବତ ମାଟିରେ ଥିବି

ମାଟିର ଦୟାଦ ହେବି

 

କୁଟିଳ କରାଳ ସିନ୍ଧୁ ପଛକେ ଆସୁ ତା’ ଲହରୀ ମେଲି,

ବିପଦ ମୁଖରେ କାତର ନୋହିବି- ଏଇ ନିବେଦନ ଖାଲି,

କହୁନାହିଁ କେବେ ବିପଦରୁ ରଖ ବୋଲି

କରୁ ନାହିଁ ପଦେ ଅଳି ।୧।

 

ଅହିଂସା ବୋଲି କହନ୍ତି ସରବେ, ମାଟିର ଯାହା ଧର୍ମ-

‘ଭୀରୁତା’ କେବେ ତ ନୁହଇ ‘ଅହିଂସା’, -ଅଭୟ ସିନା ତା ମର୍ମ,

ଦିଅ ବାହୁ ଭରି ଶକ୍ତି

ବନ୍ଦିବି ଚିର ମୁକ୍ତି

 

ହିଂସୁକ ଜନେ, ପ୍ରତିଘାତ ଦାନେ, ପଛକୁ ନ ଯିବି ଚାଲି,

କରାଳ ତୁମର ଚକ୍ର ଘୁରାଅ କପଟୀ ମଥାରେ ଖାଲି,

କହୁନାହିଁ ମୋତେ ବିପଦରୁ ରଖ ବୋଲି

କରୁ ନାହିଁ ପଦେ ଅଳି ।୨।

 

(୧୧)

-ଜୀବନ କର୍ମ ଲାଗି-

ଜନମ କର୍ମ ଲାଗି- ଜୀବନ କର୍ମ ଲାଗି ।୦।

ଉଠେ ଯେ ସୂର୍ଯ୍ୟ ନଭେ,-

ଆଲୋକ ରଞ୍ଜେ ଧରା,

ଘୋଟେ ଯେ କୃଷ୍ଣ ମେଘ,-

ଢାଳେ ସେ ବର୍ଷା ଧାରା,

ମଳୟ ଦିଏ ଛୁଇଁ,- ଧରଣୀ ଉଠେ ଜାଗି ।୧।

 

ଆସିଛ ଯେବେ ଏ ଭବେ

ନିର୍ଦ୍ଦେଶ କିଛି ନେଇ,

ନୁହେଁ ତା କୁସୁମ ଶେଯେ-

ଅଳସ ଶୟନ ପାଇଁ,

ଭୀରୁର ଜୀବନ ଯା’ର, ନିତି ସେ ମରଣ ଭାଗୀ ।୨।

 

ସର୍ଜନା ଅଛି ଯା’ର

ବିଲୟ ସତ୍ୟ ତା’ର,

ସୃଷ୍ଟିର ଗତି, -ଆଗ

ନୁହେଁ, ପଛେ ହଟିବାର

ମରି ମରଣକୁ ଜିଣେ, ସତ୍ୟର ଅନୁରାଗୀ ।୩।

 

ଯେ ମାଟି ଜନମ ଦେଲା

ଯେ ପାଣି ପବନ ତଳେ,

କର୍ମ ଲୋଡ଼େ ସେ ଖାଲି

ଜୀବନ ଅନ୍ତରାଳେ,

ସେଇ ମାଆ ମାଟି ପାଇଁ, ହୁଅ ରେ ସର୍ବ-ତ୍ୟାଗୀ ।୪।

 

ଜୀବନ କର୍ମ ଲାଗି

(୧୨)

-ଏଇ ମାଟିରେ ଜନ୍ମ ଯା-

ଏଇ ମାଟିରେ ଜନ୍ମ ଯା’ର            ଏଇ ଆକାଶ ତଳେ,

ଏଇ ପବନ ପାଣିରେ ସାରା-            ଜନମ ଯାର ଚଳେ ।୦।

 

ମାଆ ମାଟିର ଅପମାନ,

ସହିବ ଧରି କେ’ ଜୀବନ ?

ଏ ଶରୀରେ ଲହୁ ବିନ୍ଦୁ            ଥାଉ ଥାଉ ରେ ତିଳେ,

ସହି ରହିବ ବଇରି ଡ଼ାକ            ନିର୍ଜୀବ ସେ କେ’ରେ ? ।୧।

 

ବିଶ୍ୱାସରେ ‘ଭାଇ’ ଡାକି

ଛକି ଥିଲା ଦାଉ ଟାକି,

ଶିକ୍ଷା ଦିଅ, ସେ କପଟୀ ପରବଞ୍ଚକରେ

ଦୀକ୍ଷା ନିଅ, ଯାବତ ପିଣ୍ଡେ ପରାଣ ଭୂତଳେ ।୨।

 

ମର ଅବା ମାର ଅରି,

ମାଆ ନାମେ ପଣ କରି,

ଜାଗ କୋଟି ସନ୍ତାନ ରେ । ଗର୍ଜ୍ଜି ସିଂହ ବଳେ

କମ୍ପି ଉଠୁ ଜଳ-ସ୍ଥଳ, ମେଘ ମନ୍ଦ୍ର ରୋଳେ ।୩।

 

ଭାଇ ଲଢ଼େ ମାଆ ପାଇଁ

ତୁମେ କି ରେ, ଥିବ ଶୋଇ ?

ମାଆ ଆଖି ଲୁହ ଧାର            ଚାହୁଁଥିବ ଡ଼ୋଳେ

ବଢ଼ିଛନା, ବଞ୍ଚିଛନା,      ଏଇ ମାଆର କୋଳେ ?।୪।

 

ରକ୍ତ ଦିଅ, ଅକାତରେ

ଶକ୍ତ କର ବାହୁ ତୁ’ରେ

ମରଣ ଯେବେ, ଆସେ ରେ ଆସୁ, ବରି ତାରେ ଗେଲେ-

ସମ୍ମାନରେ, ଗୌରବରେ, ଆଣ ଟାଣି ଘରେ ।୫।

 

(୧୩)

-ଦେ ମାସିନ୍ଦୂର ଗାର-

ଭାଲେ, ଦେ’ ମା । ସିନ୍ଦୂର ଗାର ।୦।

 

ବୀର ଜନନୀ ଭାରତ ଭୂମି ତୁ ମା’ ।

ଶାନ୍ତି, ମୁକ୍ତି, ସୁଖ-ଦାୟୀ,

ମାଗେ ଶତ୍ରୁ ରଣ ଦ୍ୱାର ଦେଶେ ମା’

ଘନ ଘନ ଶଙ୍ଖ ବଜାଇ

 

ଦେ’ମା ଶକ୍ତି, ତୁ ଦେ’ମା

ଉତ୍ତର ଦେବୁ ଆଜି ତାର

ଦେ’ମା ସିନ୍ଦୂର ଗାର ।୧।

 

ଯାବତ ପିଣ୍ଡରେ ଜୀବନ ରହେ ମା’

ସତ୍ୟ, ନ୍ୟାୟ ପଥ ଧ୍ୟାୟୀ,

ବାଦ, ଭେଦ ଭୁଲି, ହିନ୍ଦୁ-ଅହିନ୍ଦୁ,

କଣ୍ଠେ ନାମ ତୋର ଗାଇ,

 

ଦେ’ମା, ଆଶିଷ ଦେ’ମା,

ଅରି ଶିର ଦେବୁ ଉପହାର

ଦେ’ମା ! ସିନ୍ଦୂର ଗାର ।୨।

 

(୧୪)

- ନୁହେ ରେ ବାବୁକୁସୁମ-ଶୟନ ବେଳ-

ସମ୍ମୁଖେ ଜଳେ ଯୁଦ୍ଧର ଶିଖାନଳ

ଏ ନୁହେଁ ରେ ବାବୁ । କୁସୁମ-ଶୟନ ବେଳ ।୦।

 

ଉଠ ବୀର ସନ୍ତାନ ।

ହୁଅ ତୁ ରେ ଆଗୁଆନ,

ଜାଳରେ ମଶାଲ ଜାଳ,

ଏ ନୁହେ ରେ ବାବୁ । କୁସୁମ-ଶୟନ ବେଳ ।୧।

 

ମାଭୈ, ମାଭୈ, ଡାକ

ଶିରେ ଜୟ ଟୀକା ଲେଖ

ତୁ ଯେ ପିଶାଚର କାଳ

ଏ ନୁହେ ରେ ତୋର,କୁସୁମ-ଶୟନ ବେଳ ।୨।

 

ରଣ ତାଣ୍ଡବେ ନାଚ

ଶତ୍ରୁ ମରଣ ରଚ

ଘେନି ସିଂହର ବଳ

ଏ ନୁହେ ରେ ତୋର, କୁସୁମ-ଶୟନ ବେଳ ।୩।

 

ଜନନୀ ଜନ୍ମଭୂମୀ,

ପବିତ୍ର ପଦ ଚୁମୀ

ଅରିଦଳ ଦଳି ଚାଲ

ଏ ନୁହେ ରେ ବାବୁ । କୁସୁମ-ଶୟନ ବେଳ ।୪।

 

(୧୫)

-‘ସେଇ ଦେଶେ ମୋ ଘର-

ସେଇ ଦେଶେ ମୋ ଘର ।୦।

 

ମହୋଦଧି ମଥା ମାରେ ଚରଣରେ ଯା’ର

ବିନ୍ଧ୍ୟ ଗିରି ମଣ୍ଡୁଥାଏ କଟି ତଟେ ହାର

ଶୁଭ୍ର ଶୃଙ୍ଗ ହିମାଚଳ

ରାଜେ ଯା’ର ଶିରପର

ଷଡ଼ଋତୁ ରଚେ ଯହିଁ ସରସ ବିହାର,-

ସେଇ ଦେଶେ ମୋ ଘର ।୧।

 

ପଣ ମୋର,- ‘‘ରଖିବି ମୁଁ ସେ ଭୂମିର ମାନ’’

ଥାଉ ଅବା, ଯାଉ ଅବା, ଏ ମୋର ଜୀବନ

ଏ ଭୂମିରେ ଜନ୍ମ ଯା’ର

ସେ ମୋ ବନ୍ଧୁ ସହୋଦର

ବିଶ୍ୱ କରେ ଯେ ଭୂମିର ଚିର ସମାଦର

ସେଇ ଦେଶେ ମୋ ଘର ।୨।

 

ସତ୍ୟସନ୍ଧ ରାମଚନ୍ଦ୍ର ଯେ ଦେଶର ରାଜା,

ବ୍ୟାସ, ବାଲମୀକି କବି ଯହିଁ ପାଏ ପୂଜା,

ଶାନ୍ତି ଯା’ର ନୀତି ବାକ୍ୟ

ମୁକ୍ତି ମନ୍ତ୍ର ଦେଲେ ଶାକ୍ୟ

ଧୀର-ବୀର ପ୍ରସବିନୀ ଭାରତ ମା’ ମୋର

ସେଇ ଦେଶେ ମୋ ଘର ।୩।

(୧୬)

-ଶୋଇ ରହିଛୁ କେତେ ?-

ଶୋଇ ରହିଛୁ କେତେ, ଦୁଃଖୀ ସଙ୍ଖାଳୀ । ସତେ ?

ଝରୁଛି ଧନ ମୋର ଲୁହ,

ମାଆ ମୁଁ ପରା ତୋର, ଯିବି ପର ଦୁଆର

ସହିବ କି ତୋ ଛାତି, କହ ? ।୦।

 

ରକତ ପାଣି କରି

ତୋତେ ମୁଁ କୋଳେ ଧରି

କଢ଼ାଇଥିଲି ବଳସାରି,

ଆଜି ଭଗାରୀ ଆସି

ଗଡ଼ ଦୁଆରେ ବସି,

ହୁଁକାରି ରଣ ମାଗେ, ଚାହିଁ ।୧।

 

ତୋ’ ପରା ଯୋଗସୁତ,

ଥାଉଁ ଯିବ ମହତ

ବୋଲିବେ କହ କି ଜଗତ ?

ହେବୁ ପର-ଭାତୁଆ

ପରାଭବ ତ ଥୁଆ

ଧରି କି ଲାଭ ଛାର ଦେହ ? ।୨।

 

ପଡ଼ିଶା ତୋର ଥାଇ

ଖଣା ତେଣେ ଖୋଳଇ

ଅଳସ ପଣ ତୋ ଅନାଇଁ,

ସାଜ ସାଜ ରେ ଆଜ,

ମାଜ, ଖଡ଼ଗ ମାଜ

ବୀର କାହାଳୀ ତୁ ବଜାଅ ।୩।

 

ଦେବି ମଥାରେ ତୋର

ଲେଖି ବିଜୟ ଗାର

ଭାଇ-ଭାଇ ଭେଦ ପାଶୋର,

ଶକତି ଦେଲି ମୁହିଁ,

ଯାଅ ସମର ଭୂଇଁ

ଭଗାରି ମୁଖେ କାଳି ଦିଅ ।୪।

(୧୭)

-ଭୁଲ ରେ ! ଭୁଲ ରେ !-

ଭୁଲ ରେ, ଭୁଲ ରେ, ସୋହାଗ-ସପନ ଆଜି,

ଶତ୍ରୁ-ଶିଙ୍ଘା ଦୁଆରେ ଉଠୁଛି ବାଜି ।୦।

 

ଯାବତ ତପନ, ଚନ୍ଦ୍ର ଗଗନେ,

ଯାବତ ଧରାରେ ଥିବ ରେ ଜୀବନେ,

ସନ୍ତାନ ହୋଇ, ମାଆ ଅପମାନ

ସହିବାକୁ କିଏ ରାଜି ? ।୧।

 

ବକ୍ଷରୁ ଯା’ର କ୍ଷୀର ଶତଧାର

ଢାଳିଦେବା ପାଇଁ ନୋହିଛି କାତର-

ସେଇ ମାଆ ଶିର ଟାଣି ଘେନିବାକୁ

ଭଗାରି ରହିଛି ସାଜି ।୨।

 

ବିନ୍ଦୁ ରକତ ଥିବାଯାଏ ଦେହେ,

ମାଆ ଲାଞ୍ଛନା ଛାତି କି ରେ ସହେ ?

ଭୁଲି ଆପଣାରେ, ପାତିଦିଅ ବୁକୁ

ଜାତିର ସ୍ୱାର୍ଥ ହଜି,

ଭୁଲ ରେ, ଭୁଲ ରେ ସୋହାଗ-ସପନ ଆଜି ।୩।

 

(୧୮)

-ମାଆ ଡାକେ ଆସ, ଆସ-

ଯେ ଯହିଁ ଅଛି ରେ ଭାରତ ସନ୍ତାନ ।

ମାଆ ଡ଼ାକେ ଆସ, ଆସ,

ହୁଅ ରେ ହିନ୍ଦୁ, ହୁଅ ଅହିନ୍ଦୁ

ମାଆ ପାଆ ତଳେ ବସ ।୦।

 

ଏଇ ଆସିଛି ରେ, ପିଶାଚ ସଇନୀ

ରକତ-ପିପାସୁ ଦଳ,

ସନ୍ତାନ ତୁମେ ଭାରତ ମାତାର

ତୁମେ କି ରେ ଦୁର୍ବଳ ?

 

ମାଆ ଟେକ, ମାନ ରଖି ନ ପାରିବ

ଅରଜିବ ଅପଯଶ

ମାଆ ଡ଼ାକେ ଆସ, ଆସ ।୧।

 

ପଣ କର ଆଜି ଜୀବନ, ମରଣ

ଭାଙ୍ଗ ସପନ ସୁଖ,

ଥାଉ ଥାଉ ଆମ ପିଣ୍ଡେ ପରାଣ

ଜନନୀ ସହିବ ଦୁଃଖ,

 

ସରଗର ଏଇ ପବିତ୍ର ଭୂଇଁ

ହେବ ପୁଣି ପର ବଶ ?

ମାଆ ଡ଼ାକେ ଆସ, ଆସ ।୨।

 

ଉଠେ ରେ, ଜାଗ ରେ, ଭିକ୍ଷା ମାଗ ରେ

ଜନନୀ ଚରଣ ତଳେ,

ଲଭ ରେ ଶକ୍ତି, ଉଠ ହୁଁ କାରି

କୋଟି ସିଂହର ବଳେ,

ଭଗାଅ ଭଗାରି, ଲୁବ୍‌ଧକ ଦଳେ

ସମରେ ଦିଅରେ ଝାସ,

ମାଆ ଡ଼ାକେ ଆସ, ଆସ ।

 

(୧୯)

-କିଏ ସେ ରହିଛି ଶୋଇ ?-

କିଏ ରହିଛ ରେ ଶୋଇ ?

ଅନ୍ତରେ କା’ର ମମତା ନ ଜାଗେ କହ ରେ ଜନନୀ ପାଇଁ ? ।୦।

ଅଙ୍ଗେ ତୁମର ରକତ ବହେ କି ନାହିଁ,

ଅଦ୍ୟାପି ତୁମେ ମରିଛ ନାଁ ଅଛ ଜୀଇ ?

ମାଆ କାନି ତେଣେ କିଶାଚ ଟାଣୁଛି

ଥିବ ଜଳ ଜଳ ଚାହିଁ,

କିଏ ସେ ରହିଛ ଶୋଇ ?୧।

 

ଆଖି ଆଗେ ଏଇ ଭରା ଗଉରବ ଶିର,

ନଇଁ ପଡ଼ିବ କି ଥାଉ ଥାଉ ଜୀବ ତୋର ?

ଧିକ୍, ଧିକ୍, ଧିକ୍ କହିବ ଜଗତ

କାହିଁ ନ ମିଳିବ ଠାଇଁ,

କିଏ ରହିଛ ରେ ଶୋଇ ? ।୨।

 

କମର କସ ରେ, ସମରେ ପଶରେ,

ବଜାଅ ବିଜୟ ଶିଂଘା,

ଉତ୍ତର ଦେଉ, ତୁଙ୍ଗ ଶିଖରୀ

ଉଛୁଳୁ ରକତ-ଗଙ୍ଗା,

ମାଭୈ, ମାଭୈ ଡାକ ସମ ସୁରେ

ଜୟ ଭାରତ ଗାଇ,

କୁଟିଳ, କପଟ, ଦୁର୍ଜ୍ଜନ ଜନେ

ବିଶ୍ୱାସ ନାହିଁ, ନାହିଁ,

ରହନା ରେ ଆଜି ଶୋଇ ।୩।

 

( ୨୦ )

-ଘୁମାଇଁ ରହନା ଆଉ;-

ଘୁମାଇଁ ରହନା ଆଉ,

ଶିରୀ-ଅସହଣୀ ଭଗାରିଏ ତୋର

ସାଧି ବସିଲେଣି ଦାଉ ।୦।

 

ଜାଗ ମାଆ-ଯୋଗା-ପୁଅ

ମାଆର ଶପଥ ନିଅ,

ପୁଅ ପଣ ତୋର ଯୁଗେ ଲେଖା ରହୁ ।୧।

 

ମାଆ ପାଦ ତଳେ ଯାର

ସିନ୍ଧୁ କରେ ଜୁହାର,

ମଥାରେ ମୁକୁଟ ହିମ ଗିରିବର

ଚିରଦିନ ରାଜୁଥାଉ ।୨।

 

କୋଟି ସନ୍ତାନ ଜାଗ,

ଶକ୍ତି ମାଆରେ ମାଗ,

ସମସୁରେ ଆଜି କଣ୍ଠ ସବୁରି-

ଜୟ ଭାରତ ଗାଉ ।୩।

 

ମାଆ ହେବ ପର-ଘରୀ

ଭଗାରି ନେବ ଓଟାରି

ସହିବ କି ତାର ସନ୍ତାନ କାହିଁ

ଜୀବନରେ ଥାଉଁ ଥାଉଁ ?

ଘୁମାଇଁ ରହନା ଆଉ ।୪।

 

( ୨୧ )

-ତୁହି ମା କରୁଣାମୟୀ-

ତୁହିମା, କରୁଣାମୟୀ

ଯୁଗ ଯୁଗ ଜନ-ପାଳିନୀ ।୦।

ଯା’ରେ ଅଙ୍କେ ବିହରେ ଭୁବନ ଈଶ୍ୱର,

ଯା’ର ନାଥ ପୂଜିତ ନିଖିଳ ବିଶ୍ୱର,

ଶାନ୍ତି-ମୈତ୍ରୀ ପୂତ ବାଣୀ,-

ପ୍ରଚାରିଣୀ ତୁ ଜନନୀ ।୧।

 

ଯା’ର ଗନ୍ତାଘରେ କମ କଳା ଠୁଳ

ଯା’ର ଗଗନ ଚୁମ୍ବି ମନ୍ଦିର ଚୂଳ

ମାନୀ, ଗୁଣୀ, ଜ୍ଞାନୀ, ଧ୍ୟାନୀ

ସୁର ବୀର ପ୍ରସବିନୀ ।୨।

 

ଯା‘ର ଶସ୍ୟ-ଶ୍ୟାମଳା ଉର୍ବର ଭୂମି

ଯା’ର ଚରଣେ ପ୍ରଣମେ ସାଗର ଉର୍ମ୍ମି

ମଞ୍ଜୁ କୁଞ୍ଜେ ଗାଏ ଯା’ର

ବନ ବିହଙ୍ଗ ଶ୍ରେଣୀ ।୩।

 

ତା’ରି ନାମ କଣ୍ଠେ ଗାଇବି,

ତା’ରି ପାଦପଦ୍ମ ଧ୍ୟାୟିବି

ମାନ ତା’ର,- ଧ୍ୟାନ ମୋର

ରଖିବି ଜୀବନ ଦାନୀ ।୪।

( ୨୨ )

-ବୋଲ ସର୍ବେ ଭାରତୀୟ-

ତୁମେ ଏଇ ମାଟିରେ ଜନମ କି ନାଁ କହ,

ତୁମେ ଏଇ ମାଟିର ସନ୍ତାନ କି ନୁହ ? ।୦।

ତୁମ ଜନମକାଳେ ଭିନ୍ନ ଭିନ୍ନ କରି,

ମାଟି-ମାଆ କି ଦେଇଛି ମଥାରେ ଟୀପା ମାରି,

 

କିଏ ଉତ୍କଳୀ- କିଏ ବଙ୍ଗାଳୀ

କିଏ ଗୁଜୁରାଟୀ- କିଏ ବିହାରୀ

ଦେଖ ପରଖି ଆପଣା ଦେହ,

କହ, ବନ୍ଧୁ ହେ ।୧।

 

ଶୁଣ, ଶତ୍ରୁ ଧକ୍‌କା ମାରେ

ଆସି ଆମରି ଗଡ଼ ଦ୍ୱାରେ,

ଜାଗ, ଉତ୍ତର ଦିଅ ତାରେ

ଅବା ପିନ୍ଧ ଗଳାରେ ମରଣର-

 

ସେଇ ରଙ୍ଗ ଜବା ହାରେ,

ସମାଧି ତୁମର ଯୁଗ ଯୁଗ ଜନ

ଧୋଇବ ରେ ଆଖି ନୀରେ

ତୁମେ ଅବ୍ୟୟ, ତୁମେ ଅକ୍ଷୟ-

ବୋଲ ସର୍ବେ ଭାରତୀୟ ।୨।

 

( ୨୩ )

-ସେଇ ମୋ ଜନମ ଭୂଇଁ-

ଅଂକେ ଯାହାର ଜନ୍ମ ମୋହର

ସେଇ ମୋ ମାତୃଭୂଇଁ

ସନ୍ତାନ ତା’ର ନିର୍ଭୀକ ବୀର

ଜୟ ଟୀକା ଘେନେ ମୁହିଁ ।୦।

 

ଅହିଂସା ମୋର ଧର୍ମ,

ସତ୍ୟ ମୋହର ବର୍ମ୍ମ,

ଶାନ୍ତି ମୋହର ଗୁରୁ ମନ୍ତର,

ହିଂସା ଜାତକେ ନାହିଁ ।୧।

 

ଭଗାରିରେ ଦେବି ଶିକ୍ଷା

ଜୀବନର ଏ ମୋ ଦୀକ୍ଷା

ପଶରା ମୋହର, ତିଳେ ହେଁ ମାତର

ନାହିଁ ଏ ଜୀବନ ପାଇଁ ।୨।

 

ଜନ୍ମଭୂମୀର ମାନ

ରଖିବି ଏ ମୋର ପଣ

ମରଣେ, ମାରଣେ ଆଗଭର ମୁହିଁ

ଜୟ ଉତ୍କଳ ଗାଇ ।୩।

ସେଇ ମୋ ଜନ୍ମ ଭୂଇଁ

 

( ୨୪ )

-ଶୋଇ କି ରହିବୁ ବୀର ।-

ହେବୁ କି ରେ, ନତ-ଶିର

ବଜାଏ ଶିଙ୍ଘା ଘନ ଘନ ଅରି

କାନ କି ହେଲା ପଥର

ହେବୁ କି ରେ ନତ-ଶିର ।୦।

 

କୋଟି ସନ୍ତାନ ଜାଗ

ମାତରେ ଶକ୍ତି ମାଗ,

କରେ ଧର ଧର, ଖର ତରବାର

ଶୁଣୁ ଅରି ଝଂକାର ।୧।

 

ରଖି ମାଆ ମାଟି ମାନ

ଧନ୍ୟ କର ଜୀବନ

ଅଭୟ ମନ୍ତ୍ର ଘୋଷି, ଘେନ ଭାଲେ

ଜୟ ସିନ୍ଦୂର ଗାର ।୨।

 

ସାହା ତୋର ଚଉବାହା

ସେଇ ଦେଖାଇବେ ରାହା

ଦୁର୍ଜ୍ଜନ ଜନେ ସଂହାର କର

ଧର୍ମ ତୋ ବଳିୟାର ।୩।

 

ପିଣ୍ଡେ ଯାବତ ପ୍ରାଣ

କର ବୀର, ହେ ପଣ

ସତ୍ୟର ଲାଗି ଯୁଝିବୁ ଯାବତ

ଦେହେ ତୋ ରକ୍ତ ଧାର ।

ଶୋଇ କି ରହିବୁ ବୀର ? ।୪।

 

( ୨୫ )

-ନାଚନାଚ-

ନାଚ, ଭୈରବ । ନାଚ-

ବଜାଅ ଶିଙ୍ଘା ଭ୍ରୂକୁଟି, ନନ୍ଦୀ

ରଚ ତାଣ୍ଡବ ରଚ ।।

ନାଚ, ନାଚ । ।୦।

 

ଜଗାଅ ସୁପ୍ତ ହିମ ଅଚଳରେ

ଭାଂଗି ଦିଅ ତା’ ଘୁମ ଅଳସରେ

ଏଇ ଶୁଣ ଥରେ, ଶାନ୍ତି ଦୁଆରେ

ଗର୍ଜ୍ଜେ ନର-ପିଶାଚ,

ନାଚ, ନାଚ । ।୧।

 

ମାନ- ସରୋବର ବକ୍ଷ ଥରାଇ

ଗଙ୍ଗା ଅଙ୍ଗୁ ରକ୍ତ ଝରାଇ

ହିଂସୁକ ଆସେ ଧାଇଁ

ତୁମେ କି ଥିବ ଘୁମାଇଁ ?

ପଣ୍ଡ କର ତା’ ପାଞ୍ଚ,

ନାଚ, ନାଚ । ।୨।

 

ଶକ୍ତିରେ ଧରି ବିଜୟ ଶମ୍ଭୁ

ଅଭୟ ମନ୍ତ୍ରେ ବଜାଅ କମ୍ବୁ,

କୋଟି ଭାରତୀୟ

ଗାଏ ଜୟ ଜୟ

ସଜାଡ଼ ସମର ମଞ୍ଚ,

ନାଚ, ନାଚ । ।୩।

 

( ୨୬ )

-ଅନଳ ଜ୍ୱଳନ ଝଲକେ-

ସୁପ୍ତସିଂହ ମେଲିଛି ନୟନ

ଅନଳ ଜ୍ୱଳନ ଝଲକେ-

ମାଭୈ, ମାଭୈ ଗରଜେ, ବିଶ୍ୱ

ଶୁଣ ବିସ୍ମୟ ପୁଲକେ ।୦।

 

ତୁର୍ଯ୍ୟ ନାଦରେ ରଣ ନାୟକ

ଡାକେ:- ବୀର, ଧର କରେ ଶାୟକ

କୋଟି ସନ୍ତାନ ଏକ ହୁଅ, ଅରି

ହାରିଯିବ ଆଖି ପଲକେ ।୧।

 

ଆମେ ତ ଚାହୁନା ଯୁଦ୍ଧରେ ଜିଣି

ଘରେ ସାଇତିବୁଁ ପରଧନ ଆଣି

ଆମ ଧନେ ଆଖି ଦେଲେ, ଦସ୍ୟୁରେ

ଦଣ୍ଡ ନ ଦେବ ବୋଲ କେ ? ।୨।

 

ବୁଦ୍ଧ ଯେ ଦେଶେ ହେଲେଣି ବୃଦ୍ଧ

ନୀତି ଯାର ଏବେ ଅନୀତି-ଯୁଦ୍ଧ,

ଅସ୍ତ୍ର ଖେଳାଇ, କାଢ଼ି ନେବ ଭୂଇଁ

ଛାଡ଼ିଦେବ ଫେରୁ ପଲ କେ ? ।୩।

 

ରଣର ବିରତି- ଛଳ ଅବସର

ହିଂସୁକ ହୁଏ ରଣେ ତତ୍ପର,

ବିଶ୍ୱାସେ ବିଷ ଦେଇଛି ଥରେ ସେ

ଏ ଜୀବନେ ଦେଖି ଭୁଲ କେ ।୪।

 

ହୁଅ ଆଗୁଆନ, ମୋ ଦେଶ ଯବାନ

ଭାଙ୍ଗିଛି ରେ ଘୁମ, ତୁଟିଛି ସପନ

ନ୍ୟାୟ ସମରେ ଯେ ମାରେ ଅବା ମରେ

ଅମର ତା’ ସମତୁଳ କେ ? ।୫।

 

( ୨୭ )

-ଝୁଲ ଝୁଲ-

ହାତୀ ଝୁଲ ରେ, ହାତୀ ଝୁଲ,

ବାଆ ପାଣି ଖାଇ ଫୁଲ ।୦।

ହାତୀର ଜନମ ଯେ ବାଆ ପାଣିରେ

ଶିଆଳର ଠାବ କାହିଁ ?

 

ସେଇ ଗଜରାଜ- ରାଇଜ ଲୋଭରେ

ଭଗାରିଏ ହାଇଁପାଇଁ,

ତା’ର ରାଇଜ ଅମୂଲ୍ୟ ମୂଲ-

ଝୁଲ ରେ ତୁ ହାତୀ ଝୁଲ ।୧।

 

ହାତୀ ରାଇଜର ରୂପାର ପାଚେରୀ ଘେରି ହିମଗିରୀ ଠିଆ,

ହାତୀ ପାଦତଳେ ନେଳିଆ ଦରିଆ ଲହରୀ ମାରେ ମୁଣ୍ଡିଆ,

ତା’ର, ଅଛି କାହିଁ ସମତୁଲ

ଝୁଲ ତୁ ହାତୀ ଝୁଲରେ ।୨।

 

ପଶରା ନକରେ ଏ ହାତୀ କାହାକୁ

ଧରମ ବାଟରେ ଯାଏ,

ଜପ କରେ ସେ ତ ଶାନ୍ତି ମନ୍ତର

ପର ଭୂଇଁକି ନ ଚାହେଁ,

ତା’ର କିଏ କି କରିବ ବୋଲ ?

ଝୁଲରେ ତୁ ହାତୀ ଝୁଲ ।୩।

 

ହିଂସା କାହାକୁ ନ କରେ ସେ, କେହି ହିଂସା କଲେ ନ ସହେ,

ବଳେ କେହି ତାର ସୀମାରେ ପଶିଲେ, ରୁଷି ଗରଜନ ଦିଏ,

ଚାଲ, ଦଳସାଜି, ସବୁ ଚାଲ,

ଝୁ’ଲ ତୁ ହାତୀ ଝୁଲ ।୪।

 

ନିଡ଼ର, ନିଥର, ଯୁଦ୍ଧରେ ଧୀର

ଲଢ଼େ ସେ ମରଣ ଯାଏଁ,

ଜନମ ଭୂଇଁ ତା’ ସରଗ ସମାନ,

ମାଆ ବୋଲି ପୁଜୁଥାଏ

ଭେଟି, ପାଆ ତଳେ ପୂଜାଫୁଲ,

ଝୁଲରେ ତୁ ହାତୀ ଝୁଲ ।୫।

 

ମାଆ ବଳ ପାଇ, ପାହାଡ଼ ଫୁଟାଇ, ବୁହାଏ ସେ ପାଣି ଧାର,

ଦଳ ବାନ୍ଧି ବଳ ପଲାସିଲେ ଦଳେ କୋଟିଏ ବଇରୀ ଛାର,

ମାଆ, କୋଳେ ଧରି କରେ ଗେଲ,

ଝୁ’ଲ ରେ ହାତୀ ଝୁଲ ।୬।

 

( ୨୮ )

-ବଜାଅ ବିଜୟ ତୁର୍ଯ୍ୟ-

ନିଶି ଅନ୍ଧାର ଦୂର କରି ଉଠେ

ଭାରତ ଗଗନେ ସୂର୍ଯ୍ୟ ।୦।

ମାତୃଭୂମିର ବିଶ୍ୱାସଘାତୀ

ଜୀବନରେ ତାର ଘେରୁ ଘନ ରାତି

ଜନ୍ମି ଜନନୀ କୋଳେ,

ତା’ତୁଲେ ଛଳ ଯେ ଖେଳେ,

ସେ କି ଭାରତୀୟ ଆର୍ଯ୍ୟ ? ।୧।

 

ବନ୍ଧୁ ବୋଲି ଯେ କପଟରେ ଡାକି

ବନ୍ଧୁ ମରଣ ରହିଥାଏ ଟାକି,

ଶାସ୍ତ୍ର ଆକଟ ବାଣୀ

ସତ୍ୟ ନିରାଟ ଜାଣି

ବେଦ ଭୂମୀର ସେ ବର୍ଜ୍ୟ ।୨।

 

‘ଅହିଂସା’ ନୁହେଁ କେବେ ରେ ଭୀରୁତା

କାପୁରୁଷ ବସି ଜୀବନେ ବରୁ ତା’

ହିଂସୁକେ ଦେବୁଁ ଶିକ୍ଷା

‘ନିର୍ଭୟ’ ଆମ ଦୀକ୍ଷା

ଆମେ ନୋହୁ ହୀନ-ବୀର୍ଯ୍ୟ

ବଜାଅ ବିଜୟ ତୁର୍ଯ୍ୟ ।୩।

 

( ୨୯ )

-ଉଠ ବୀର ଓଡ଼ିଆ ରେ

ଆଜି ବି ତୋ ନିଦ ଭାଙ୍ଗିଲା ନାହିଁ ତ

ଅରାତି ପରା ଦୁଆରେ ?

ଉଠ ବୀର ଓଡ଼ିଆ ରେ ।୦।

ଜାଗ- ହୁଅ ଆଗ,

 

ବୀର ! ଲାଗ, କରମେ ଲାଗ,

ଅରି ଜିଣିବୁ ତୁ ସମରେ

ଜନନୀ-ପୟରେ ବର ମାଗ,

ଭାଲେ ବିଜୟ ଚିତା, ତୁ ଯେ ହେବୁ ରେ ଜଗତ-ଜିତା

ଶତ୍ରୁ ଗରଜେ, ଉତ୍ତର ଦିଅ

ଝଲକାଇ ତରବାରେ ।୧।

 

ତୋ ଦେଶ, ତୋ ଧନ, ତୋ ଜନ, ଜୀବନ

ତୋ ହାତେ ଆଜି ସିନା ରେ

 

ଅଳସ ହେଲେ ତୁ, ଘଡ଼ିକେ ହଜିବ

ନ ଆସେ କି ଚେତନା ରେ ?

ପରକୁ ଦୋଷି ତୁ ଆଉ,

ମିଛେ ତୋ ଦିନ ନ ଯାଉ,

 

ମିଛେ ତୋ ଦିନ ନ ଯାଉ,

ତୋ ଘର ଜଗ ତୁ, ନିଜ ବାହୁବଳେ;-

ରଖି ତୁହି ଭରସା ରେ

ଉଠ ବୀର ଓଡ଼ିଆ ରେ । ।୨।

 

( ୩୦ )

-ଫଳନାହିଁ କଥା କହି-

ସେ ଦିନ ଗଲାଣି ବହି,

କାମ କରି ବଡ଼ ହୁଅ ତୁ ଜଗତେ

ଫଳ ନାହିଁ-କଥା କହି ।୦।

 

କହି ଯାଅ ଆଜି ସତ୍ୟ କରି ତୁ

ଜନନୀ ଚରଣ ଛୁଇଁ,

କୋଟିକ ହିତରେ, ଗୋଟିକ ଜୀବନ

ଉପହାର ଦେବା ପାଇଁ ।୧।

 

ଆସିଅଛି ଅରି, ଦେଖୁ ଆଖି ମେଲି

ଏ ଦେଶ ଘୁମାଇ ନାହିଁ,

ଶତ୍ରୁ ଡାକରେ ଥରି ନ ଯାଏ, ସେ

ଜାଣେ ଉତ୍ତର ଦେଇ ।୨।

 

ମରଣର ଡର ନାହିଁ ଓଡ଼ିଆର

ହସି ହସି ଜାଣେ ମରି,

ଓଡ଼ିଆ ଜାତକେ ନ ପଡ଼ିବ କେବେ

ଭୀରୁର ମରଣ ଛାଇ ।୩।

 

ଲୋକ କୁହାକୋହି, ଶୁଣି କେ’ ମରିବ

ଘର କୋଣେ ପଶି ଯାଇ ?

ଜାତିର, ଦେଶର ମହତ ସାରିବ

କିଏ ଜଳ ଜଳ ଚାହିଁ ? ।୪।

 

ଉଠ, ଜାଗ ଭାଇ, ଉଠାଅ ଜାତିକି

ଶୋଇବାକୁ ତର ନାହିଁ,

ବେଳ ଗଡ଼ିଯାଏ, ଟାଣ କର ମନ

‘‘ବନ୍ଦେ ଜନନୀ’’ ଗାଇ ।୫।

 

( ୩୧ )

-ଆମେ ଦେଶର ପୁଅ-

ଆମେ ତ ଓଡ଼ିଆ ପୁଅ,

ବାପ ଅଜା କାଳୁ ଆମେ ବୀର ଜାତି

ବିପଦରେ ପରା ଟାଣ ଆମ ଛାତି,

ଏ ଦେଶେ ଜନମ, ଭାଗ୍ୟ ଆମର

ଦେଶଲାଗି ଝରେ ଲୁହ ।୦।

 

ଶତ୍ରୁ ଆସିଛି ଦୁଆରେ ଆମର

ଦଳିବ ଆମକୁ ବାସନା ତାହାର,

ବାଗଡ଼ ଦେବାକୁ ଟାଣ ଅଛି ମନେ

ଫୁଲେ ଗଢ଼ା ନୁହେଁ ଦେହ ।୧।

 

ରଖିବାକୁ ଆମ ଦେଶ ଧନ, ମାନ

କରିଅଛୁ ଆମେ ଜୀବନର ପଣ,

ଘୁମାଇଁ ନ ଦେଖୁଁ ନିରାଶ ସପନ

ଆମେ କୋଣପଶା ନୁହଁ ।୨।

 

ଆସିଛି ଆଜି ରେ ଭଗାରି ଦଉଡ଼ି

ଯାଚି ହୁଏ- ଦେବ କରୁଣା ଅଜାଡ଼ି

ବୁଣିଛି ଯାହା ସେ ଆପଣା ଦେଶରେ,

କିଏ ନ ଜାଣିଛ କୁହ, ।୩।

 

ଟଳାଇକ ନାହିଁ ମନ ଜନରବ

ଦେଶ ଲାଗି ଜୀବ ଗଲେ ପଛେ ଯିବ,

ଅରି ମୁଖେ ବୋଳି ଦେବୁ ଚୂନ କାଳି

ସାହା ଆମ ଜଗା ଦିଅଁ

ଆମେ ରେ ଓଡ଼ିଆ ପୁଅ ।୪।

 

( ୩୨ )

-ଆସ, ଆସ-

ଆସ, ଜନନୀ ଡାକେ-

ଦ୍ୱାରେ ଅରି ଗରଜେ ଶୁଭୁ ନାହିଁକି ? ।୦।

ଚେଇଁ ଶୋଉ କେତେ ରେ ବୀର ସନ୍ତତି ।

ଆଖି ଅଗେ ତୋର ଉଜୁଡ଼େ ସମ୍ପତ୍ତି

 

ଧନ, ମାନ, ଜନ, ପ୍ରାଣ ଯାଏ ତୋ’ର,

ରହିଥିବୁ ତୁ ଚାହିଁ କି ?

ଭଗାରି ଡାକୁଛି ଦିଅ ରେ ଉତ୍ତର

ବୀର- ପୁଅ ଦେଖା ବୀରପଣ ତୋର,

 

ବଜାଇ ଦେ, ଶୁଭେ ଜୟ ଶଂଖ ଥରେ

ଜଗତ ଶୁଣୁ ଚମକି ।୧।

 

ଦେଶଲାଗି ଯେବେ ନ ପାରିବୁ ମରି,

ଘର କୋଣେ ଯେବେ ପଶିଥିବୁ ଡରି,

ଟାଣ ଯେବେ ନାହିଁ ଛାତିରେ ତୋହର

କି ଫଳ ଜୀଇ ଥାଇ କି ? ।୨।

 

ବିପଦ ଆଗରେ ହୁଅ ଆଗୁସାର

ନିରାଶ ନୁହ ତୁ ମନେ ଦମ୍ଭଧର

ତୋ ବିନା ରଖିବ ଦେଶ ଟେକ କିଏ

କାହାର ଲୋଡ଼ା ତହିଁକି ? ।୩।

 

ଆସିଲେ ଆସୁ ରେ ଶତ ଝଂଜା, ଝଡ଼

ନ ସହି କାହିଁ କେ ହୋଇଲାଣି ବଡ଼ ?

ଆସିବ ରେ ଦିନ, ସମରେ ଜିଣିବା

ଡାକ ତୋ ଦେଶ ଭାଇଙ୍କି ।୪।

 

( ୩୩ )

-ବନ୍ଦେ ମାତରମ୍-

ଶୁଭଦେ, ସୁଖଦେ, ଆଶ୍ରିତ-ଜନ-ବରଦେ,

ଜନନୀ ଉତ୍କଳ ବନ୍ଦେ,- ବନ୍ଦେ ମାତରମ୍ ।୦।

ନୀଳ ସିନ୍ଧୁ ଜଳ- ଧଉତ ଚରଣ ତଳ,

ଅମ୍ବର ଶ୍ୟାମଳ ପରିହିତ ବେଶା,

ଜଟିତଟ ଗିରିବନ- ସୁମନ- ମେଖଳିତ

ନଦୀ ନିର୍ଝର ନୀଳ- କେଶା

ବନ୍ଦେ ମାତରମ୍ ।୧।

 

କାନ୍ତ- ଛବି ତବ କବି ମନ ରଞ୍ଜେ

ଗାଇଲେ ଯା’ ଯଶ କବିରବି ଭଞ୍ଜେ,

ଗାର ଯା’ର ଆଜି ସାର କଳା ଗୋ ।

ଭୁବନ ବିଦିତ କାମ ମନ୍ଦିର ଦେହେ,

ଭଗ୍ନ, ନଗ୍ନ ଜଳଧି- ଜଳ ମଗ୍ନ

ମୂକ ମୁଖେ ଗୌରବ ଗାଏ-

ବନ୍ଦେ ମାତରମ୍ ।୨।

 

ଗଂଗା ତଟୁ ଗୋଦାବରୀ ଯା’ର,

ରାଜ୍ୟଥିଲା, ଥିଲେ ବୀର ଅପାର,

ଅସ୍ତ୍ରମୂନେ ଅଭି-ରକ୍ତଟୀକା ଘେନି

ଭେଟୁଥିଲେ ହସି ହସି ଯା ବୀର ସୁତେ,

ଶୌର୍ଯ୍ୟ, ବୀର୍ଯ୍ୟ ଖଣି ଉତ୍କଳ ଜନନୀ,

ରଖ ମା’ ଚରଣର ପ୍ରାନ୍ତେ-

ବନ୍ଦେ ମାତରମ୍ ।୩।

 

ସୁପ୍ତ, ଲୁପ୍ତ ଗତ-ଗୌରବ ରାଜି

ସ୍ୱପ୍ନ- ସରି ସତେ ଲାଗେ ତ ଆଜି,

ମୁକ୍ତକର ଅଭିଶାପୁଁ ଜନନି ଗୋ ।

ଯୁକ୍ତକର ନତ ମସ୍ତକେ ମାଗୁଁ,

ଆଶିଷେ ତବ ସ୍ନେହମୟୀ ଗୋ,

ନବ ବଳେ ଉତ୍କଳ ଜାଗୁ-

ବନ୍ଦେ ମାତରମ୍ ।୪।

 

 

( ୩୪ )

-ଜାଗିଉଠ-

ଜାଗି ଉଠ, ଜାଗିଉଠ,

ବାଜେ ବିଜୟ ଶଙ୍ଖ ଘନ ଘନ

ନବ ଅରୁଣ ତେଜେ            ଶୁଭ ଲଗନ ଏ ଯେ

ବହିଲାଣି ଅନୁକୂଳ ପବନ ।୦।

 

ନାରୀ, ପୁରୁଷ କିବା            ଶିଶୁ, ପ୍ରୌଢ଼, ଯୁବା

ଏଇ ମାଟିଇ ସୁତ            ଯହିଁ ରହିଛ ଯେ’ ବା

ଆଜି ଲଢ଼ିବା କାଳ            ଜାତି ଗଢ଼ିବା ବେଳ

ଲାଗ, ଲାଗରେ କରମେ ବହନ ।୧।

 

ମହାନଦୀ ଗରଭେ, ହୀରାକୁଦ ଶୋଭିଲା,

ପୁଣି ଶିଳ୍ପକଳା, ଗଢ଼େ ରାଉରକେଲା,

କରେ ମିଶାଅ କର,            ଭେଦାଭେଦ ପାଶୋର

ଜାଗି, ଯୋଗାଡ଼ି ଘେନି ରେ ରତନ ।୨।

 

ଦେଖ, ଜ୍ଞାନ ଆଲୋକ-ଖେଳେ ଜଗତ ଯାକ

ଶିର କର ରେ ତାର ସେହି କିରଣ ମାଖ,

କଲେ ଯତନ ଭାଇ;            ଫଳ ନ ମିଳେ କାହିଁ ?

ନଭେ ହସିବ ରେ ସୁଖ ତପନ ।୩।

 

( ୩୫ )

-ଭାରତ ଆମର ମାଆ-

ବନ୍ଦନା ତା’ର ଗାଆ,

ଯୁଗ ଯୁଗ ଧରି କାତରେ ଚାତରେ, ସେଇ ମାଆ ଆମ ସାହା

ଭାରତ ଆମର ମାଆ ।୦।

 

ଅମଳ-କମଳ- ଚରଣ ତଳରେ

ବାରିଧି ଜୁହାରେ ଯା’ର,

କଟି ତଟେ ଯା’ର ସୁମନ ମେଖଳା

ସଜାଏ ବିନ୍ଧ୍ୟାଚଳ;

 

ବିମଳ ଧବଳ ରଜତ କିରୀଟ,-

ପିନ୍ଧାଏ ଯାରେ ହିମ ଗିରିରାଟ;-

ଭଗାରି ଚମକ ଦିଆ,

ସେ ଆମ ଭାରତ ମାଆ ।୧।

 

ଅଙ୍ଗରେ ତା’ର ଜନମ ଯାହାର

କାହାରେ ନମଣି ପର,

ସାମ୍ୟ, ମୈତ୍ରୀ ମନ୍ତ୍ର ଗାଅ ରେ

କରି ଚିର ଆପଣାର,

 

ହେଉ ସେ ହିନ୍ଦୁ, ହେଉ ଅହିନ୍ଦୁ

ପାଳିଛି ଦେଇ ସେ ପୀୟୁଷ ବିନ୍ଦୁ

ଅବିଚାରେ ମେଲି ହିଆ

ବନ୍ଦନା ତାର ଗାଆ ।୨।

 

ସେଇ ଜନନୀର ସନ୍ତାନ ଆମେ

ଯେତେ ବାଦ ଭେଦ ଭୁଲି,

ଆଗତ ରେ କର ଅଭିନନ୍ଦନ

ଆଜିରେ ପରାଣ ଖୋଲି,

 

ତମସା ଘଉଡ଼ି, ଧର ରେ ଦିହୁଡ଼ି,

କଳୁଷ କାଳିମା, ପଛେ ରହୁ ପଡି,

ଉଜ୍ୱଳ ଦିଶୁ ରାହା

ବନ୍ଦନା ତାର ଗାଆ ।୩।

 

ଘଷି, ମାଜି ରଖ ସାଇତା ଅଛି ଯା’

ପୁରୁଣା ଗନ୍ତା ଘରେ

ରସାଣି ଦିଅ ରେ ଯୁଗ କାରିଗର

ନ ଫିଙ୍ଗି ହତାଦରେ,

ବିଶ୍ୱ- ବନ୍ଦ୍ୟ ସଂସ୍କୃତି- ପ୍ରଭା

 

ପୁରାଣ ରୂପେ ତୋ ପଛେ ପଛେ ଉଭା

ପାଶୋରି ନ ଦିଅ ତାହା ।

ଭାରତ ଆମର ମାଆ,

ମଥା ନତ କରି କଣ୍ଠ ମିଳାଇ, ବନ୍ଦନା ତାର ଗାଆ

ସେଇ ମାଆ ଆମ ସାହା ।୪।

 

(୩୬)

-ଆଗେ ବଢ଼-

ଆଗେ ବଢ଼, ଆଗେ ବଢ଼, ଆଗେ ବଢ଼

ତୁଙ୍ଗ ହିମାଚଳ ଶୃଙ୍ଗେ ଚଢ଼ ।୦।

ତୁମେ ଶକ୍ତି ଧର,

ଚିର ମୁକ୍ତି ବର,

ମାର କିମ୍ୱା ମର,

ମର-ବିଶ୍ୱ ପରେ-

ଗୁରୁ ମନ୍ତ୍ର ପଢ଼ ।।

 

ମାଆ ମାନ ରଖ,

ରହୁ ଜାତି ଟେକ,

ବୁକୁ ରକ୍ତେ ଲେଖ,

ଚାଲ ବୀର ସୁତେ ।

ଯଶ ସ୍ତମ୍ଭ ଗଢ଼ ।।

 

ଗଡ଼ ଦ୍ୱାରେ ଆସି,

ଅରି ଦମ୍ଭେ ବସି,

ଯେବେ ଗର୍ଜେ ଘୋଷି-

ତୁମେ ନିର୍ଜୀବ କି ।

ତଡ଼, ଦୂରେ ତଡ଼ ।।

 

(୩୭)

-ଜାଗ ।-

ଜାଗ, ହିମାଚଳ ହିମ କିରୀଟ-ଧର, ଜାଗ ? ।୦।

 

ନୀଳ ଅମ୍ୱର-ଚୁମ୍ୱିତଭାଲ

ଶିର ଲମ୍ୱିତ ରୁଚି ଜଟ ଜାଲ,

ପ୍ରଳୟଙ୍କର ଶଙ୍କର,

ସିଦ୍ଧ, ବୁଦ୍ଧ, ମୁନି-

ଜପ, ତପ-ଆକର, ଜାଗ ।୧।

 

ତବ ନନ୍ଦିନୀ ବନ୍ଦିନୀ ତାରା

ଭବ ଶୋକ ତାପ ଭୟ-ହାର

ରଣ ରଙ୍ଗିନୀ ପରଚଣ୍ଡ ଚଣ୍ଡୀକେ ।

ଦନୁଜ ଦର୍ପ ହର, ଜାଗ, ।୨।

 

ରଣ କ୍ଷଣକ ବିରତି, ଶଠ ମାୟା

ପ୍ରତି-ପକ୍ଷ ପ୍ରସାରଇ କାୟା

ଦେବ ଭୂମି ଅଭିଯାନ ମାନସେ

ପ୍ରସ୍ତୁତି ମାତର, ଜାଗ ।୩।

 

ଗିରିରାଜ । ଅଭୟ କର ଦାନ,

ଉଠୁ କଣ୍ଠେ କଣ୍ଠେ ଜୟ ଗାନ,

ଜାଗରଣୀ ଭର ଭାରତ ଜୀବନେ,

ପ୍ରଣମେ ନଗେଶ୍ୱର-ଜାଗ ।୪।

 

(୩୮)

-ଚାଲଯାତ୍ରୀ-

ଚାଲ ଯାତ୍ରୀ, ତିମିର-ରାତ୍ରୀ, ଜଗଦ୍ଧାତ୍ରୀ

ଶକ୍ତି ଘେନି,-ଝଡ଼ ଝଂଜା,

ବିଜୁଳି ବଜ୍ର ବାଦଲ ଯାତ୍ରା-

ପଥେ ନ ମାନି ।୦।

 

ଅରି ରହିଛି ସୁଯୋଗ ଚାହିଁ,

ତାରେ ବିଶ୍ୱାସ ନାହିଁ ନାହିଁ,

ସେ ଯେ ଦୁର୍ଜନ ଲହୁ ଲୋଭୀ,

ତାର ମୁଖେ ମଧୁ ମଧୁ ବାଣୀ ।୧।

 

ଯେବେ ଆମ ଘର, ଆମ ଭୂଇଁ

ଖୋଜେ ଦାନବ ଦଳିବା ପାଇଁ

ଏଡ଼େ ରକ୍ତ-ହୀନ କେ କାହିଁ,

ଶୋଇ ରହିବ ରେ ଜାଣି ଜାଣି ? ।୨।

 

ଯେବେ ମାଆ ହେବ ପଦାନତା,

ଆଉ କି ଫଳ ରେ ଥାଇ ମଥା,

କିଏ ଥିବ ଜଳ ଜଳ ଚାହିଁ,

ନୀଚ ଟାଣୁ ଥିବ ମାଆ କାନି ? ।୩।

 

ଚାଲ ନିର୍ଭୀକ ବୀର । ଚାଲ,

ମୁଖେ ‘ଜୟ ଭାରତ’ ବୋଲ,

ତୋର ସତ୍ୟ, ଧରମ ସାହା-

ଆଣ ଜୟ ଗୌରବ ଟାଣି ।୪।

 

(୩୯)

-ଗାଅଭାରତ ଜୟଜୟ-

ମହା ଭାରତର ଭାରତୀୟ ।

ସିଂହ ଦୁଆରେ ଶତ୍ରୁ ଗରଜେ, ଉତ୍ତର ତାରେ, ଦିଅ ଦିଅ ।୦।

 

ନଗରାଜ ହିମାଚଳେ

ତୁଷାର ମୁକୁଟ ଜଳେ

ଅରୁଣ କିରଣ ନବୀନ ଆଲୋକ- ପରଶନେ ତନୁ ଧୂଅ, ଧୂଅ ।୧।

 

ନିଷ୍କ୍ରିୟ ନୀତି ଧରି

ରହିଥିଲ ମୃତ ପରି

ଆସିଚି ଚେତନ, କାପୁରୁଷତାର ନିଧନ- ମନ୍ତ୍ର ନିଅ, ନିଅ ।୨।

 

ଶତ୍ରୁ ବାରଣ କର

ଧର ରେ ଅସ୍ତ୍ର ଧର,

ଦୁର୍ଗମ ପଥ ଲଙ୍ଘି ଭଗାରି ସମ୍ମୁଖେ ଉଭା ହୁଅ, ହୁଅ ୩।

 

ମନ୍ତ୍ର ସାଧନ କର,

ମାର ଅବା ନିଜେ ମର

ଅବିଶ୍ୱାସୀରେ ଧକ୍‌କା ବଜାଇ, ଘର-ଧନ ଘରେ ଥୁଅ, ଥୁଅ ।୪।

 

ଦେଶରୁ ଶକୁନୀ ବଂଶ

କର କର ନିରିବଂଶ

ଧର୍ମ୍ମ-ନାଶର ଧ୍ୱଂସ ଆଚରି, ଗାଅ ଭାରତ ଜୟ ଜୟ ।୪।

ମହାଭାରତର ଭରତୀୟ ।

 

(୪୦)

-ରାମରାଜ୍ୟର କାମନା-

ଯଦି ରାମରାଜ୍ୟର କାମନା ବନ୍ଧୁ । କର

ତେବେ, ଭୋଗିବ କି ଜପି ଖାଲି ନାମଟି ମାତର ? ।୦।

 

ସେ ପରା ସତ୍ୟ ଧର୍ମର ଦେଶ

ନାହିଁ ନଥିଲା ତ ହିଂସାର ଲେଶ,

ତ୍ୟାଗ ଯାହାର ଭୁବନ ବିଦିତ, ସେ ମାଟିରେ ତୁମ ଘର

ରାମରାଜ୍ୟ-ବାସୀ ବୋଲି ଯେବେ ତୁମେ ମନରେ ଗର୍ବ ଧର ।୧।

 

ଦୁଷ୍ଟ ନିଧନ, ସନ୍ଥ ପାଳନ,

ରାମ ରାଇଜର ଧର୍ମ ଏମାନ,

ଦୁର୍ଜ୍ଜନ ଜନ, ବିଶ୍ୱାସ ଘାତୀ, ମସ୍ତକ ତୁମେ ଦଳ,

ଦୁର୍ଦିନ-ଘନ ଏଡ଼ାଇ ଚାଲ ରେ, ଶକ୍ତିର ବତି ଜାଳ ।୨।

 

ଅଜୟ ତୁମେ ରେ-ଅମିତ-ବୀର୍ଯ୍ୟ,

ଚଣ୍ଡ ତୁମେ ରେ-ପ୍ରଖର ସୂର୍ଯ୍ୟ,

ଅନ୍ଧ ତମସ, ଦାନବ ନାଶ, ତୁମେ ନିର୍ଭୀକ ବୀର,

ଉର୍ମ୍ମୀ ନ ଡ଼ରି, ଅଥଳ ସାଗର, ସେତୁ ବନ୍ଧନେ ତର ।୩।

 

ଧରି ନିରସ୍ତ୍ର-ନୀତି ଏ ଭୁବନେ,

ମରଣ ବରଣ କରିଛ ଜୀବନେ,

ଭୁଲ ସେ ସପନ, ଆସୁ ଜାଗରଣ, ଶୁଣି ଅରି ହୁଂକାର

ଜନନୀ ଜନ୍ମଭୂମୀ ପଦେ ନମି, ଧର ଖର ଅସି, ଧର ।୪।

 

ପାପ ଦାନବ ରାବଣ ମରଣ

କରିଥିଲେ ରାଜା ନିଜ ପଣ,

ଆଣିଲେ ଶାନ୍ତି, ରାକ୍ଷସ ବଧି, ଯୁଗେ ଯୁଗେ ସେ ଅମର,

ମୁକ୍ତି ନୁହଇ ଅଳସ ସୁପ୍ତି, ଏ ଦେଶ ସନ୍ତାନର

ଧମନୀରେ ଆଜି ନ ବହେ କି ସେଇ ବୀର ରକ୍ତର ଧାର ? ।୫।

 

(୪୧)

-ଜାଗ୍ରତ ଗଣ-ଦେବତା-

ଆଜି ଜାଗ୍ରତ ଗଣ-ଦେବତା,

ଭାଳିଥିଲା ଚିନା, ଶୋଇଥିବ ସିନା, ଭାରତ ନକରି ଚିନ୍ତା ।୦।

 

ଅତରକିତରେ,- ପଶି ଆମ ଘରେ,

ପକାଇ କାବୁରେ,- ଲୁଟିବ ସବୁ ରେ,

କି ଥିଲା କି ହେଲା, ଏଇ ଦେଶେ ଯେବେ ଖେଳିଲା ସମର ବାର୍ତ୍ତା,

ଆଖିର ପଲକେ, ବିଜୁଳି ଝଲକେ ହେଲା ସେ ବଇରୀ-ହନ୍ତା ।୧।

 

ଭାରତର ସେନା, ନୁହେଁ ନୀଚ-ମନା,

ପରଧନେ ତା’ର, ନାହିଁ ତ କାମନା,

ବିଶ୍ୱ ମୈତ୍ରୀ ଘୋଷିଲା ବୋଲି କି, ସେହି ତା ଦୁର୍ବଳତା ?

ସୁଯୋଗ ନେବାକୁ ଭାବିଥିଲା ଅରି, ହେବାକୁ ଏ ଦେଶ-କର୍ତ୍ତା ।୨।

 

ଭାରତର ମନ, ଭାରତର ଧନ,

ଭାରତର ଜନ, ଭାରତ ଜୀବନ,-

ଜନନୀ ଜନ୍ମଭୂମି-ଗଉରବ ରକ୍ଷଣେ ବ୍ୟବହର୍ତ୍ତା,

ତେଣୁ ବର୍ବର, ଦେଖୁ ଏ ଭାରତ, ପ୍ରତି ଉତ୍ତର-ଦାତା

ଜାଗ୍ରତ ଗଣ ଦେବତା ।୩।

 

(୪୨)

-ହୁଅ ତୁ ବିଜୂଳି ଚମକ-

ଘନାଇ ଆସିଛି ଘନ ଦୁର୍ଦ୍ଦିନ, ହୁଅ ତୁ ବିଜୁଳି ଚମକ

ନିଖିଳ ଗଗନ କମ୍ପିତ କରି, ବଜାଅ ଅଶନି ଟମକ ।୦।

 

ମାଭୈ, ମାଭୈ, ମାଭୈ, ମାଭୈ,

ଗାଇ ଗାଇ ମୁଖେ ନାଚ ତାତାଥେଇ

ରଣ-ତାଣ୍ଡବ, ରଚ ନିର୍ଭୀକ । ହୁଙ୍କାରି ଦିଅ ଧମକ,

ହୁଅ ତୁ ବିଜୁଳି ଚମକ ।୧।

 

ଆସିଛି ଦୁମରେ ଦେଖିଯାଉ ଅରି

ସୁପ୍ତ ନୁହେଁ ରେ ଭାରତ କେଶରୀ,

ଗହ୍ୱରେ ତା’ର ନାଚିବ ଶୃଗାଳ ! ଗ୍ରାସ ତାରେ କରି ଅଟକ,

ହୁଅ ତୁ ବିଜୁଳି ଚମକ ।୨।

 

ରକ୍ତ ଲୋଭୀ ସେ ପରବଞ୍ଚକ,

ଚିହ୍ନା ପଡ଼ିଲା ତା ରୀତି, ଚଞ୍ଚକ

ଜାଳରେ ବହ୍ନି, ସମର କ୍ଷେତ୍ରେ ମରୁ ଶଠ ହେରି ଝଟକ,

ହୁଅ ତୁ ବିଜୁଳି ଚମକ ।୩।

 

ଶକ୍ତ କର ରେ ଲଢ଼ୁଆର କର,

ରକ୍ତ ଦିଅ ରେ ନ ହୁଅ କାତର,

ଯାବତ ଜୀବନ ଥିବ ଏ ଭୁବନେ, କେ ନେବ ରେ ଆମ କଟକ ?

ହୁଅ ତୁ ବିଜୁଳି ଚମକ ।୪।

 

(୪୩)

-ଚାଲ ନିର୍ଭୀକ ଯାତ୍ରୀ-

ଦୁର୍ଦ୍ଦିନ ଦିନେ ସାହା ତୋ ଜନନୀ ଭାରତ ଜଗଦ୍ଧାତ୍ରୀ

ଚାଲ ନିର୍ଭୀକ ଯାତ୍ରୀ ।୦।

 

ବଜାଅ ବିଜୟ ଶିଙ୍ଘା

ଥରୁ କାଞ୍ଚନଜଙ୍ଘା,

ଶତ୍ରୁ-ଦମନ ଲକ୍ଷ୍ୟ ଯା’ର ସେ, ଡରେ କି ତିମିର ରାତ୍ରୀ ? ।୧।

 

ଚଣ୍ଡ ପରଶୁ ଧର

ଭଣ୍ଡ ନିଧନ କର

ପରଧନ ଲୋଭୀ ମସ୍ତକ ଦଳ ଧର୍ମ୍ମ ତୋହର ସନ୍ତ୍ରୀ ।୨।

 

ସୁଯୋଗ ବସିଚି ଉଣ୍ଡି

ଭାଇ ବୋଲି ମୁଖେ ଭଣ୍ଡି,

ଚାହୁଁତ ନଥିଲୁଁ, କଳି କନ୍ଦଳ, ଆମେ ରେ ଶାନ୍ତି-ଗୋତ୍ରୀ ।୩।

 

ଭଗାରୀ ଗରଜେ ସିନା

ଭଲେ ପାଇଯାଉ ଚିହ୍ନା,

ଅହିଂସା ନୁହେଁ ଭୀରୁତା- ଆମେ ରେ ମରଣେ ମାରଣେ କ୍ଷତ୍ରୀ ।୪।

 

ପିଣ୍ଡେ ପରାଣ ଥାଉଁ,

ଦଣ୍ଡେ ନସହ ଆଉ,

ମାତୃ ନମାରେ ଝାସ ରେ ସମର, ଲେଖାଅ ଅମର ପତ୍ରୀ,

ହୁଅନା ଦୀର୍ଘ ସୂତ୍ରୀ,

ଚାଲ ନିର୍ଭୀକ ଯାତ୍ରୀ ।୫।

 

(୪୪)

-ତୁମରି ବିଜୟ ଚାହେ-

ରକ୍ତ ନାହିଁ କି ଦେହେ ?

ଜବାବ୍‌ ନ ଦେଇ ରଣ ହୁଙ୍କାରେ, ଜବାନ୍‌ କି ତୁନି ରହେ ? ।୦।

 

ମାତୃଭୂମିରେ ଜନମ ଲଭି ଯେ, ତାର ବିଶ୍ୱାସ-ହନ୍ତା,

ମମତା ବରଜି ହୁଅ ରେ, ପହିଲେ ସେ ଦଳ ବଳ-ନିହନ୍ତା,

ନ ଚାହଁ ସେ ପାପ-ମୁହେଁ ।୧।

 

ଅହିଂସା ଆମ ଦେଶ ଜାତି ନୀତି ତେଣୁ କି ସହିବା ମାଡ଼ ?

ତୁନି ରହିଥିବା ଆମ ଘରେ ଚୋର ଭାଙ୍ଗିବ ଆମରି ହାଡ଼ ?

ଏ କଥା କି କେହି ସହେ ? ।୨।

 

ଭୀରୁ ପରି ନିତି ମରୁଥିବାଠାରୁ ବୀରର ମରଣ ସାର,

ଲୁବ୍‌ଧକ ଆସି ମାଗୁଛି ସମର ନିଜେ ମାର ଅବା ମର,

ଶାସ୍ତ୍ର ଏ ବାଣୀ କହେ ।୩।

 

ସବୁରି ଶକ୍ତି, ସବୁରି ଭକ୍ତି- ହିନ୍ଦୁ କିବା ଅହିନ୍ଦୁ

ଗଣ-ଦେବତାର ଧନ, ମନ ସବୁ ଅରପି ଜବାନ୍‌ବନ୍ଧୁ ।

ତୁମରି ବିଜୟ ଚାହେ ।୪।

 

(୪୫)

-ସହୀଦ୍‌ତୁମର ଜୟ-

ସଫଳ ତୁମର ଜନମ ଜୀବନ

ମାତୃଭୂମିର କୁଳ ନନ୍ଦନ ।

କାଳଜୟୀ ତୁମେ,- ମରଣ ମାନିଛି-

ତୁମ ପାଶେ ପରାଜୟ,

ସହୀଦ୍‌ ତୁମର ଜୟ ।୧।

 

ଜଗାଇଛ ତୁମେ ରକ୍ତ ଚେତନା,

ଶିଖାଇଛ ତୁମେ ମୁକ୍ତ ଭାବନା

ଦେଖାଇଛ ତୁମେ ହିମଗିରି ଚୂଳେ-

ନବୀନ ସୂର୍ଯ୍ୟୋଦୟ,

ସହୀଦ୍‌ ତୁମର ଜୟ ।୨।

 

ଜଗାଇ ଦେଇଛ ସୁପ୍ତ ଅସିରେ,

ସୁଯୋଗ ଦେଇଛ ଭାରତ ବାସୀରେ,

ବୁଝାଇ ଦେଇଛ ମାତୃଭୂମିର-

ମୂଲ୍ୟର ନିର୍ଣ୍ଣୟ,

ସହୀଦ୍‌ ତୁମର ଜୟ ।୩।

 

ଅମର ତୁମେ ହେ ସିଂହ ଶାବକ ।

ଖଣ୍ଟ ମଥାରେ ଜଳାଇ ପାବକ

କୋଟି ଜନତାର ଜୀବନ ବନ୍ଧୁ

ତୁମେ ହେ ବନ୍ଦନୀୟ ।

ସହୀଦ ତୁମର ଜୟ ।୫।

 

(୪୬)

-ଶରଣ ମାଗୁଛି ମୁହିଁ-

ମରଣ ରେ । ତୋର ଶରଣ ମାଗୁଛି ମୁହିଁ

ଜଣାଉଛି ଖାଲି ବାଞ୍ଛା ମୋହର ପୂରଣ କରିବୁ ତୁହି ।୦।

 

ଜାଣୁଛି ମୁଁ ପ୍ରତିନିତ୍ୟ

ଜଗତେ ତୁ ଧ୍ରୁବ ସତ୍ୟ

ଶରଣ ତୋହର ବରଣ ଆଗରୁ ଦେଖୁଥିବି ଖାଲି ଚାହିଁ,

ପବିତ୍ର ମୋର ଜନ୍ମଭୂମିକୁ ଦସ୍ୟୁ ଦଳିବ ନାହିଁ ।୧।

 

ସରଗରୁ ଗରୀୟସୀ

ମାଆ ମୋର ମହୀୟସୀ,

ଯୁଦ୍ଧ ଏ ମୋର ଜାତକେ ନଲେଖ କାହାଘର ଲୁଟି ପାଇଁ,

ପରଧନ-ହାରୀ, ପରବଞ୍ଚକେ, ମୋ ଘରେ ନଦେବି ଠାଇଁ ।୨।

 

ଧରି କରେ ତରବାରୀ,

ଅରି ମାରି ଯିବି ମରି,

ରକ୍ତ ବଦଳେ, ରକ୍ତ ଢାଳିବି ଶକ୍ତି ତୋହର ପାଇ,

ସେ ମରଣ ହେବ ସରଗ ସମାନ ଜୟ ଗୀତି ଗାଇ ଗାଇ ।୩।

ଶରଣ ମୁଗୁଛି ମୁହିଁ ।

 

(୪୭)

-ନାହିଁ ଭୟ-

ଚାଲ ଦୁର୍ଜ୍ଜୟ ବୀର ।

ଗାଇ ଜୟ ଜନନୀର- ନାହିଁ ଭୟ ।

ନାହିଁ ଭୟ, ନାହିଁ ଭୟ ।୩।

 

ପ୍ରଳୟ ଯୁଦ୍ଧ ରଚ ଦାନବ ସଙ୍ଗେ

ଏ ଦେବ ଭୂମିର ଶକ୍ତି ଭରି ତୋ ଅଙ୍ଗେ,

ଦେବ ରେ ଜନନୀ ବରାଭୟ,

ବରାଭୟ, ବରାଭୟ, ।୧।

 

ଦସ୍ୟୁ, ରକ୍ତଲୋଭୀ ବଞ୍ଚକ ସେ’ରେ

ରାଷ୍ଟ୍ରର ମୋହ ଘାରିଛି ଆଜି ତା’ରେ,

ଧରମ ତୋ ସାହା- ହେବ ଜୟ,

ହେବ ଜୟ, ହେବ ଜୟ ।୨।

 

ଏକତା ମନ୍ତ୍ର କରି ଜୀବନର ସାର,

କରେ ଧରି ଅସି ଦିଅ ରଣ ହୁଙ୍କାର,

ଅରି ବଂଶ ତୁ କର କ୍ଷୟ,

କର କ୍ଷୟ, କର କ୍ଷୟ, ।୩।

 

ସଂଘର୍ଷ ତ ଜୀବନର ଚିରସାଥୀ,

ନଡ଼ରି, ବରଣ କର ତାରେ ଶିର ପାତି,

ମରଣେ, ମାରଣେ ନିରିଭୟ,

ନିରିଭୟ,ନିରିଭୟ ।୪।

 

(୪୮)

-ଯାଅ, ଆଗେ ବଢ଼ିଯାଅ-

ତୁମେ ନାଁ କଳିଙ୍ଗ ପୁଅ

ବିଗତ ବିଚାରି କହ ।୦।

 

ଏଇ ଭାରତର ସବୁରି ପଛରେ,

ନୂଆଁଇ ଥିଲ ତ ମୁଣ୍ଡ,

ସିଂହ ରଡ଼ିରେ ବୁକୁ ଥରି ନାହିଁ,

ଆସିଛି ଶିଆଳ ଭଣ୍ଡ

ଉଚିତ ଜବାବ ଦିଅ ।୧।

 

ତୁମରି ପାଇକେ ଜିଣି ନଥିଲେ କି,

ଆ-ଗଙ୍ଗ ଗୋଦାବରୀ,

ଆଜି ନବହେ କି ସେ ରକତ ଧାର

ତୁମ ଧମନୀରେ ଭରି,

ସୁମରି ଶପଥ ନିଅ ।୨।

 

ପୁରାଣ କବିଏ କହି ନାହାନ୍ତି କି

‘କଳିଙ୍ଗ ସାହସିକ’,

ସତ୍ୟ ଫଳାଇ ଦିଅ ସେ ବାଣୀକି,

କାପୁରୁଷେ ମଣ ଧିକ,

ସମର ନିଆଁରେ ଡ଼ିଅଁ ।୩।

 

ତୁମ ପଛେ ଠିଆ ଗଣ ଦେବତା ରେ,

କୋଟିଏ ଭଉଣୀ ଭାଇ,

ମାତୃ-ଆଶିଷ ଝରେ ତୁମ ଶିରେ,

ଲଢ଼ିବ ଧର୍ମ ପାଇଁ,

ଯାଅ, ଆଗେ ବଢ଼ି ଯାଅ ।୪।

 

(୪୯)

-ସାର୍ଥକ ବୋଳା ଏଇ-

ସୀମାନ୍ତେ ଯେବେ ଶୁଭେ କଳରବ,

ରାଷ୍ଟ୍ର-ଲୋଲୁପ ରଚିଛି ଆହବ

ଆମେ କି ରେ ଥିବା ଶୋଇ

ଅଳସେ ମାରିବା ହାଇ ? ।୦।

 

ଖରା, ତରା, ଶୀତ, କାକାର, ବରଷା,

ସବୁ ପଛକୁ ପକାଇ,

ବରଫର ଝଡ଼, କୁହୁଡ଼ି, ତମସା,

ସବୁକୁ ପଛାଇ ଦେଇ,

ବନ୍ଧୁ ଆମର ଲଢ଼ିମରେ ଆଜି,

ଆମ ଦେଶ ଭୂଇଁ ପାଇଁ ।୧।

 

ପାଶୋରି ଦେଇଛି ପ୍ରିୟତମାରେ,

ଅଙ୍କ ଶିଶୁର ମୁଖ ସୁଷମାରେ,

ଆମରି ଲାଗି ତ ସେହି,

ବିଚାର ତ ବନ୍ଧୁ, ଏଥକୁ ଆମର,

କରିବାର କିଛି ନାହିଁ ? ।୨।

 

ମହା ଭାରତୀୟ ଦେଶ, ଜାତି, ମାନ,

ଟେକ ରଖିବାକୁ ସେ ତ ଆଗୁଆନ,

ମଣିଷ ପଣିଆ ଚାହି,

ଧର୍ମ-ନାଶର ନିଧନ ପାଇଁକି,

ଶକ୍ତି ଯୋଗାଅ ଭାଇ ।୩।

 

ଭୁଲିଯାଅ ବନ୍ଧୁ । ସୁଖର ଶୟନ,

ଭୁଲିଯାଅ ବନ୍ଧୁ । ବାଦ-ଛେଦମାନ,

ମନକୁ ମନ ବୁଝାଇ,

ଦାନକର ନିଜ ତନ-ମନ-ଧନ

ସାର୍ଥକ ବେଳା ଏଇ ।୪।

 

(୫୦)

-ରଖ, ମରି ଅବା ମାରି-

ନିଜ ଧନ ଯାହା, ଯୁଗ ଯୁଗ ଧରି

ରଖ, ମରି ଅବା ମାରି,

ସହିବ କି ନିଜ ମାଟି, ନିଜ ଘର,

ବଳେ ନେଲେ ପର ହରି ? ।୦।

 

ପେଟେ ଖାଇ, ଖଟେ ଶୋଇ, ମୋଟ ହୋଇ

ଫଳ ନାହିଁ, ତୁଚ୍ଛା ସ୍ୱାଧୀନ ବୋଲାଇ,

ସ୍ୱାଧୀନତା ଧନ ରଖି ନ ଜାଣିଲେ,

କି ଫଳ ଗରବ କରି ? ।୧।

 

ଆଜି ସେଇବେଳ ଆସିଛି ଆମର,

ଭଗାରୀ ବସିଛି ଉଗାଳି ଦୁଆର,

ବଳେ ପଶି ମନେ ବିଚାରେ, କରିବ

ଆମ ଗନ୍ତାଘର ଜୁରି ।୨।

 

ତର ନାହିଁ ଆଉ, କମର କଶ ରେ,

ବାଦ-ଛେଦ ଭୁଲି ଆସ ରେ, ମିଶ ରେ,

ଧନ, ମନ ଦେଇ, ମେଳ ହେଲେ ଆମେ,

ଟଳାଇ ଦେବା ତା ଶିରୀ ।୩।

 

ଗାଅ ମୁଖେ ‘ଜୟ ଭାରତର ଜୟ’

ଆମେ ରେ ଅହିଂସ, ଆମେ ରେ ଦୁର୍ଜୟ,

ଆମ ଜାତି ଟେକ, ଆମେ ରଖିବା ରେ,

ହିଁସୁକ ବଳ ଦଳି ।୪।

 

(୫୧)

-କେତେ ରହିଥିବ ଶୋଇ ?-

ସୀମାନ୍ତେ ବାଜେ ରଣ ଦୁନ୍ଦୁଭି, ମାଆ ଡାକ ଦିଏ ଭାଇ ।

କେତେ ରହିଥିବ ଶୋଇ ।୦।

 

ସମ୍ମୁଖେ ଦେଖ ଉଭା ଗିରିବର ତପୋରତ ମୁନି ତୁଲ୍ୟ,

ଏଇ ଦୁର୍ଯୋଗେ, ମୌନେ ବୁଝାଏ ତୁମକୁ ସେ ତୁମ ମୂଲ୍ୟ

କହେ ସେ ତା ପରି ଧୀର,

ଅଟଳ, ହୁଅ ରେ ବୀର ।

ଦସ୍ୟୁ ନେଉଛି କ୍ଷଣ-ବିଶ୍ରାମ, ବିଶ୍ୱାସ ତାରେ ନାହିଁ ।୧।

 

କାଲି ଡାକୁଥିଲା ‘‘ଭାଇ’’ ବୋଲି ସେ ତ ଜାକି ଧରିଥିଲା ବୁକେ,

କରତ ଚଳାଇ ଦେଲା ଅନ୍ତରେ, କହି ମଧୁ କଥା ମୁଖେ,

ଦେଖ, ହିମଗିରି ଅଙ୍ଗ

କରକା କରକା ସଙ୍ଗେ

ଭେଦ ଭୁଲି, ମିଶି ଏକତା ମନ୍ତ୍ରେ ଶିରେ ମେଘ ଛୁଇଁ ।୨।

 

ନିର୍ଜୀବ କି ରେ ଭାରତୀୟ, ତୁମେ ଅସି ଧରି ଜାଣ ନାହିଁ,

ବିପନ୍ନ ଆଜି ଜନନୀ ଆମର, ଜୀଇ ରହିଥିବା ଚାହିଁ ?

ଧନ, ଜନ, ମନ ଦେଇ,

ମାତୃ ଶକ୍ତି ନେଇ,

ଚାଲ ଗର୍ବରେ, ଦଳ ସର୍ଜରେ, ରଣ ରଙ୍ଗରେ ଡେଇଁ ।୩।

କେତେ ରହିଥିବ ଶୋଇ ?

 

(୫୨)

-ରଖିଥା ଖଣ୍ଡା ପଜାଇ-

ଆମ ଘରେ ଆମେ ସୁଖେ ଥିଲୁଁ, ମଣି ଦୁନିଆକୁ ଆପଣାର,

କାହୁଁ ଆସିଲେ ରେ ଡକେଇତ ପନ୍ଝା-ଭାଇ ଧନ, କଲେ ଖଣ୍ଟ କାରବାର ।୧।

ଭାଇ ଭାଇ ଡାକି, ବିଶ୍ୱାସରେ ବିଷ ଦେବାର ମନରେ ଥିଲା,

କୂଟ ପାଞ୍ଚ କାହୁଁ ସହନ୍ତା ଧରତୀ-ଭାଇଧନ, ଆମକୁ ଚେତାଇ ଦେଲା ।୨।

 

ଦୁନିଆର ଲୋକ ଛିଆ-ଛାମ କଲେ-ଲାଜ ନାହିଁ ନିଲଠାର,

କୁଟା ପକାଇ ତ, ମନେ ମନେ ମୋଟା- ଭାଇଧନ, ହୁଏ ଗଣ୍ଠିକଟା ଚୋର ।୩।

ହିମଗିରି ମୂଳେ, ବାଜିଲା ଟମକ, ଗରଜିଲା ବୀର-ଭେରୀ,

କୋଟିଏ ଲଢ଼ୁଆ, ଏକମନ ହେଲେ,- ଭାଇଧନ, ବାଟେ ବାଟେ ଗଲା ଫେରି ।୪।

 

ଶୋଇଛି ବୋଲି ସେ ପରତେ ନ ଯାଅ, ଅସଲ ମାରଣା ଜାତି,

ଖଞ୍ଜ ଉଣ୍ଡୁଛି ସେ, ମାଡ଼ି ଆସିବାକୁ- ଭାଇଧନ, ଚେଇଁ ଶୋଇ, ଘାଲି ପାତି ।୫।

କଥାରେ କହିଛି,- ରୋଗ, ରୁଣ, ଶତ୍ରୁ ଜଡ଼ରୁ ମାରିବା ପାଇଁ

ଯେତେ ଭାଇ ଡାକି, ଗେଲ କଲେ ଆସି- ଭାଇଧନ, ଖଣ୍ଟକୁ ପରତେ ନାହିଁ ।୬।

ରଖିଥା’ ଖଣ୍ଡା ପଜାଇ

 

(୫୩)

-ଜାଗ ଜବାନ୍‌ -

ଜାଗ ଯବାନ୍‌, ଜାଗ ଯବାନ୍‌, ଜାଗ ଯବାନ୍‌।

ଜାଗ, ଜାଗ, ଜାଗ ।୦।

 

ମୁଁ ଯେ କୋଟି ସନ୍ତାନ ମାତା,

ମୋର ନଗଲା ମନରୁ ଚିନ୍ତା,

ଶୋଇଥିବ କି ହୋଇ ଅଚିନ୍ତା

ନାହିଁ ମାଆଠାରେ ଅନୁରାଗ ? ।୧।

 

ସେ ଯେ ଭୁଲାଇ ‘ଭାଇ’ ଦୁଆରେ,

ମାରେ ଧକ୍‌କା ଆସି ଦୁଆରେ

ଜାଳି ସମର ଖଳ ନିଆଁ ରେ

ଜଳେ ସୀମାନ୍ତ ଦିଗଭାଗ ।୨।

 

ହୁଅ ଜବାନ୍‌ରେ ଆଗୁଆନ,

ରଖ ଗର୍ଭଧାରିଣୀ ମାନ,

ଦିଏ ହିମଗିରି ଆହ୍ୱାନ

ଜାଗ, ଜୀବନ ପଣରେ ଲାଗ ।୩।

ଜାଗ, ଜବାନ । ଜାଗ ।

 

(୫୪)

-ହୁଅ ଜାଗ୍ରତ-

ହୁଅ ଜାଗ୍ରତ, ହୁଅ ଉନ୍ନତ୍ତ,

ଧର କରେ ଅସି,-ଖର-ଧାର,

ଖଳ ଦୁର୍ଜନ, କରେ ଗର୍ଜନ,

ଦିଅ, ଦିଅ ଉତ୍ତର ତା’ର ।୦।

 

ସେ ଯେ ଲୁଣ୍ଠକ ପରପଞ୍ଚ,

ପରରାଷ୍ଟ୍ର ହରଣେ ପାଞ୍ଚ,

ରଚେ ଯୁଦ୍ଧ, ଧରଣି କ୍ଷୁବ୍‌ଧ,

ହେରି ତାର ହୀନ ଦୁରଚାର ।୧।

 

ସେ ତ ପଞ୍ଚଶୀଳ ନ ମାନେ,

ତା’ର ଧର୍ମ ଲୁଚେ କମାଣେ

ସେ ଯେ ବର୍ବର, ଧରି ଖର୍ପର,

ଜାଣେ ନର-ଲହୁ ପିଇବାର ।୨।

 

ପୁରୁ-ବାଳା ବିଧବା ଅକାଳେ,

ସୁତ-ହରା ମାତା, ଲୁହ ଢାଳେ

ନିଅ ଦୀକ୍ଷାରେ, ଦିଅ ଶିକ୍ଷାରେ,

ଅରି ମାର ନିର୍ଭୀକ ବୀର ।୩।

 

(୫୫)

-ମରିଲେ ହେବି ଅମର-

ପିନ୍ଧାଇ ଦେ’ ଜୟ ସିନ୍ଦୂର            ବିନ୍ଦୁ ମଥାରେ ମୋର

ଗଳାରେ ଦେ’ ମା ଶକ୍ତି-            ମାତାର, ରକ୍ତ-ଜବାର ହାର ।୦।

 

ଯିବି ମୁଁ ସମର ଭୁଇଁ,

ଦିଅ ଗୋ ଜନନୀ ତୁହି,-

ସେ ଆଶିଷ ତୋର, ଧରିଥିଲା ଯାହା ଶିବାଜୀ, ପ୍ରତାପ ଶିର ।୧।

 

ତୁ ତ ବୀର-ପ୍ରସବିନୀ

ମୁଖେ ତୋର ନାମ ଗୁଣି

ଅରିର ରକତ ରଂଜିତ କରେ, ଜୁହାରିବି ପଦେ ତୋର ।୨।

 

କଟିଲେ କଟିବ ମଥା

ପଛଘୁଞ୍ଚା ହେବା କଥା-

ନାହିଁ ଏ ବୀରର ଜନ୍ମ-ଜାତକେ, ମରିଲେ ହେବ ଅମର ।୩।

 

(୫୬)

-ଆଗେ ବଢ଼-

ଆଗେ ବଢ଼, ଆଗେ ବଢ଼,

ଶତ୍ରୁ ଦୁଆରୁ ତଡ଼ ।୦।

 

ଜୀଇ ଥାଉଁ ଥାଉଁ, ଆମ ଘରେ ପଶି,

ବିଶ୍ୱାସେ ବିଷ-ଦେଲା ଯେ ପରଶ,

ଆମେ କି ରେ ସତେ ଏଡ଼େ ଦୁର୍ବଳ

ଚୂରି ନ ପାରିବା ହାଡ ? ।୧।

 

ଖୁଆଇ ପିଆଇ ଜୀଆଇଲା ଯିଏ,

ଆଖି ମେଲି ଅନାଁ କାନ୍ଦୁଛି ରେ ସିଏ,

ଏଡ଼େ କାପୁରୁଷ । ଆମେ, ଚାହୁଁ ଥିବା

ମାଆ ସହୁଥିବ ମାଡ଼ ? ।୨।

 

ଧିକ ଆମ ଖିଆ, ଧିକ ଆମ ପିଆ,

ଭଗାରି ଦୁଆରେ, ମାଆ ହେଲେ ଠିଆ,

କୋଟି କୋଟି ଭାଇ ମେଣ୍ଟ ହେଲେ ତ

ଭାଙ୍ଗିବା ଲୁହାର ବାଡ଼ ।୩।

 

ଭୁଲିଯା’ରେ ଭେଦ, ଭୁଲିଯା’ରେ ବାଦ,

ଜଣକର ନୁହେ, ଜାତିର ବିପଦ,

ରଣଭୂଇଁ ପରେ ଖୋଳ ଭାରତୀୟ ।

ବଇରୀ ମରଣ ଗାଡ଼ ।୪।

 

(୫୭)

-ଯବାବ୍‌ ଦିଅ-

ଯବାନ୍‌। ଜବାବ୍‌ଦିଅ,

 

ବିଶ୍ୱାସେ ଯେ ଦେଲା ବିଷ,

ବିଶ୍ୱଶାନ୍ତି ଭଂଗ ଆଶ,

ଚାହେଁ ଆମ ବଂଶ ନାଶ,

ପ୍ରତିଶୋଧ ନିଅ,

ଜବାବ୍‌ ତା’ରେ ଦିଅ ।୧।

 

ଶକ୍ତ ତୁମ ବାହୁ ଦ୍ୱୟ,

ରକ୍ତ-ଚିତା ମୁଣ୍ଡେ ନିଅ,

ମାର ଅବା ସହିଦ୍‌ ହୁଅ,

ମାତୃପଦ ଛୁଅଁ

ଯବାନ୍‌। ଜବାବ୍‌ ଦିଅ ।୨।

 

ସର୍ପ ଯଦି ତୋଳେ ମଥା,

ଦର୍ପ ତା’ର ଭାଙ୍ଗିବାଟା,

ଧର୍ମ ନୁହେଁ କି ଏ କଥା ?

ଚିତ୍ତେ ଭାବି କହ

ଯବାନ୍‌। ଜବାବ୍‌ ଦିଅ ।୩।

 

ଶତ୍ରୁ ଯଦି ପଶେ ଘରେ,

ପିଣ୍ଡେ ଯେ’ରେ ପ୍ରାଣ ଧରେ,

ସେ କି ରହେ ନୀରବରେ ?

କହ ବନ୍ଧୁ । କହ

ଜବାବ୍‌ ଦିଅ, ଦିଅ ।୪।

 

ରାକ୍ଷସରେ ଶିକ୍ଷା ଦିଅ,

ଆତ୍ମବଳୀ ଦୀକ୍ଷା ନିଅ,

ଯେ, ବା ଯହିଁ ଭାରତୀୟ,

ମିତ୍ର ହୁଅ, ହୁଅ,

ଯବାନ୍‌। ଜବାବ୍‌ ଦିଅ ।୫।

(୫୮)

-କଞ୍ଜ-ପାଦ ତଳେ-

ସିନ୍ଧୁ ଉର୍ମ୍ମୀ ବନ୍ଦେ ଯା’ର, କଞ୍ଜ-ପାଦ ତଳେ,

କଣ୍ଠେ ଯା’ର, ଜାହ୍ନବୀର, ଚାରୁ ହାର ଦୋଳେ ।୦।

 

ଯା’ଶିରେ ହିମାଚଳ-

ତୁହିନ-ମୁକୁଟ ଉଜ୍ଜ୍ୱଳ,

ଶୁଦ୍ଧ, ବୁଦ୍ଧ, ଜ୍ଞାନୀ, ମାନୀ, ଖେଳେ ଯା’ର କୋଳେ,

ସେଇ ମାଟିର ଜାତକ ଯେ, ମରଣେ କି ସେ ଡରେ ? ।୧।

 

ଶିକ୍ଷା ଦିଅରେ ବର୍ବରେ,

ହୁଙ୍କାରେ ଯେ ଗର୍ବରେ,

ଧ୍ୱଂସ କର ସେ ହିଂସୁକେ ଚଣ୍ଡ ଖଡ଼ଗ ଧାରେ,

ବିଶ୍ୱାସେ ଯେ ଭାଇ ଡାକି ତଣ୍ଟିକାଟେ ଛଳରେ ।୨।

 

ମାତୃଚରଣ ଛୁଅଁ ରେ,

ଶପଥ ନିଅ ନିଅ ରେ,

ଏ ଭୂମିର ସନ୍ତାନ ଯେ ଭୁଲି ଭେଦ କନ୍ଦଳେ,

ଜନ୍ମଭୂମି ଜୟ ଗାଅ ରେ କୋଟି କଣ୍ଠ ମେଳରେ ।୩।

 

ସମର ଭୂମେ ଆମରି ଭାଇ,

ଜୀବନ ଢାଳେ ଆମରି ପାଇଁ,

ଶକ୍ତ କର ତା’ ମୁକ୍ତ ବାହୁ, ଦେ’ତୁ ରକ୍ତ ଦାନ ରେ

ଜାଗ ରେ ଭେଣ୍ଡା, ଉଡ଼ାଅ ଝଣ୍ଡା, ରଖ ତୋ ମାଟି ମାନରେ ।୪।

 

ମାର କିଅବା ମର,

ପ୍ରାଣ ତୁଚ୍ଛ ତୁ କର,

ଦ୍ୱାରେ ଡାକେ ବୈରିଶିଙ୍ଘା, ତୁହି କି ନିର୍ଜୀବରେ,

ଅମର ସେ ତ, ସମର କ୍ଷେତ୍ରେ ଶତ୍ରୁ ସଙ୍ଗେ ଯେ ଖେଳେ ।୫।

 

(୫୯)

-ଏକା ମାଆପେଟ ପିଲା-

ଆମେ ପରା ଏକା ମାଆ ପେଟ-ପିଲା ।୦।

 

ଏକା ମାଆମାଟି ଗରଭ ଫଟାଇ,

ଏକା ମେଗ ତଳେ ଏକା କରା ଖାଇ,

ଏକା ମାମ କୋଳେ ଜନମ ଯାହାର,

(କହ) କିଏ କି ଜାତିରେ ଗଲା ?

ଏକା ନାହି ପରା ଦିଗଡ଼ ଆମର,

ଅଲଗା କିଏ କହିଲା ।୧।

 

ଏକା ପବନରେ ଏକା ପାଣି ପିଇ,

ଏକା ଗଛ ମୂଳେ ବସା ବାନ୍ଧି ଥାଇ,

ଏକା ମାଟି ଦିଆ ଫଳ ମୂଳ ଖାଇ,

(ଆମ) ଜନମଟା ବିତିଗଲା ।

ଏକା ଭୂଇଁ, ଏକା ମଞ୍ଜି ଗଜୁରିଲା,

ଭିନ୍ନ ଭିନ୍ନ କିଏ କଲା ? ।୨।

 

ଯେ ଅଛ ରେ ଯହିଁ ଏଇ ଭୂଇଁ ଫୁଟା,

ମାଆ ପାଆ ତଳେ ଜୀବନଟା ଲୁଟା,

ଆଗେ ଚାଲ ବଢ଼ି, ଫଟା ନୋହି ଗୋଟା,

(ତୁମେ) ଗାଅ ରେ ମିଶାଇ ଗଳା,

ଆମେ ରେ ସରବେ ଭାରତ ଭୂଇଁର,

ଏକା ଘର ପିଲା ଝିଲା ।୩।

 

(୬୦)

-ଗାଅ ମାଆ ଜୟ-ଗାଥା-

ମନେ କି ନାହିଁ ରେ କଳିଙ୍ଗର ପୁଏ,

ତୁମେ ବାପ ଅଜା କଥା,

ସବୁରି ପଛରେ ବିଦେଶୀ ଦୁଆରେ,

ନୁଆଇଲ ପରା ମଥା ? ।୦।

 

ସେଇ ରକତ ନା ଆଜି ତୁମ ଦେହେ,

ସେଇ ଧାରା ଧରି ଧମନୀରେ ବହେ,

ଶୁଭୁଛି ନା ଆଜି ଭଗାରି ଟମକ,

ନ ଲାଗେ ପରାଣେ ବ୍ୟଥା ? ।୧।

 

ଅଳସର ଆଜି ନାହିଁ ଅବସର,

ଚେତାଅ ସୁପ୍ତ ଚେତନା ତୁମର,

ମାଆ କୋଳ ମାଡ଼ି ବସିବ ଭଗାରି,

ଜୀଇବା ତୁମର ବୃଥା ।୨।

 

ଉଠରେ, ଜାଗରେ, ଜାଗି, ଜଗାଅ ରେ,

ଝାସ ରେ ସମରେ, ଝାସି, ଝସାଅ ରେ,

ଜାତି, କୁଳ ଭୁଲି କଣ୍ଠେ ମିଳାଇ,

ଗାଅ ମାଆ ଜୟ-ଗାଥା ।୩।

-ଗାଅ ମାଆ ଜୟ-ଗାଥା-

 

 

 

 

****************************