ଫୁଲ-ରେଣୁ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

୧। ଜୟ ଆଲୋକର ଜୟ

୨। କବିରଙ୍କ ସାଖୀ

୩। ନବ-ବସନ୍ତ

୪। ଅଗଷ୍ଟ ପନ୍ଦର

୫। ଅଭିମନ୍ୟୁ

୬। ପ୍ରଭାତ

୭। ଲୁହାର ମଣିଷ

୮। ଝରାକଢୀ

୯। ଆବାହନ

୧୦। ନିବେଦନ

୧୧। ଫୁଲ-ରେଣୁ

 

ଜୟ ଆଲୋକର ଜୟ

( ୧ )

ସେ ଦିନ ଥିଲା ତ ଅନ୍ଧ ଏ ଧରା ତିମିର ଅନ୍ତରାଳେ,

ଅତି ମନ୍ଥର ପବନ ଚଳଇ, ସ୍ତିମିତ ତାରକାମାଳେ,

ମତ୍ତ ଅଧୀର, ବିଜୟ ପଥରେ ପଥୁକୀ ଦମ୍ଭେ ଚଳେ

ସ୍ତବ୍‌ଧ ଧରଣୀ, ଚକିତେ ନିରେଖେ, ରକ୍ତ ମଶାଲ ଜଳେ ।

 

( ୨ )

ଅନ୍ଧ କାରାର ବନ୍ଧ ଦୁଆରେ, ଚନ୍ଦ୍ର କି ଦେଲା ଦେଖା,

ସରବଞ୍ଚକ, ଦୂର ବିଦେଶୀର ଭାଗ୍ୟେ ଥିଲା କି ଲେଖ

ଜାଳିବ ସେଦିନ ପୀଡ଼ିତ ମାନବ, ରକତ ବହ୍ନି-ଶିଖା, -

ପଲକ ଲାଗି ସେ ନୁହଇ, - ନୁହେ ସେ ଗ୍ରୀଷ୍ମର ମରୀଚିକା ।

 

( ୩ )

ନୁହେ ସେ ଶୀତର ସକାଳ କୁହୁଡ଼ି, ନୁହଇ କାକର ବିନ୍ଦୁ,

ପ୍ରବଳ ରବରେ ଗର୍ଜି ଉଠିଲା, ସତେ କି ସପତ ସିନ୍ଧୁ !

ପୁର ପଲ୍ଳୀରୁ ମୁସଲମାନ, ଜୈନ, ବୌଦ୍ଧ, ହିନ୍ଦୁ -

ସମ କଣ୍ଠରେ ଶବଦ ଶୁଭିଲା ‘‘ବିଦେଶୀ ଶାସନ-ନିନ୍ଦୁ’’ ।

 

( ୪ )

ରୁଦ୍ର ତେଜରେ ଜଳିଲା ବିହୁଡ଼ୀ, ନବୀନ ତପନ ଜାଗେ,

ତିମିର-ମଥନ ବିଶ୍ୱ-ଚେତନ କେତନ ଉଡ଼ଇ ଆଗେ

ତାପିତ, ଶୋଷିତ, ଦଳିତ ମାନବ ମୁକ୍ତି ରତନ ମାଗେ,

ଲୌହ-କାରାର ଗହ୍ୱର ହସେ ଆଲୋକ ଶୁଭ୍ର ରାଗେ ।

 

( ୫ )

ମୋହନ ମନ୍ତ୍ରେ, ବୀର ସୈନିକ ପାଶୋରି ହିଂସା ମନୁ,

ଜନନୀ-ମୁକ୍ତି-ସମର ଅନଳେ, ଝାସିଲେ ଆପଣା ତନୁ,

ଜୟ ନିର୍ଘୋଷ ଶୁଭିଲା ଅଚିରେ, ନଗର, ସାଗର, ବନୁ,

ହାରିଲା ଅସ୍ତ୍ର, ହାରିଲା ଶସ୍ତ୍ର, ଗୋଳାଗୁଳି, ତୀର, ଧନୁ ।

 

( ୬ )

ମୁକ୍ତ ଆକାଶ, ମୁକ୍ତ ବତାସ, ଭାରତ ପୁଲକମୟ,

ଜୟ ଅହିଂସ ‘‘ମୋହନ ଚାନ୍ଦ’’ ଜୟ ଆଲୋକର ଜୟ ।

ଫୁଲ-ରେଣୁ

 

କବିରଙ୍କ ସାଖୀ

ପରିଚୟ - ପଞ୍ଚଦଶ ଶତାବ୍ଦୀର କଥା । ଉକ୍ତ କବିରଙ୍କୁ କାଶୀକ୍ଷେତ୍ରର ନୀରୁ ନାମକ ଜଣେ ମୁସଲମାନ୍‌ ତନ୍ତୀ ପାଳିଥିଲା । ସେ ରାମାନନ୍ଦଙ୍କର ଶିଷ୍ୟ ଥିଲେ ଓ ବେଦାନ୍ତବାଦ ପ୍ରଚାର କରିଥିଲେ । ତାଙ୍କ ପ୍ରଚାରରେ ଏକେଶ୍ୱର ମତ ପ୍ରକାଶ କରୁଥିଲେ । ତାଙ୍କର ଉପଦେଶାବଳୀ ବୀଜକ, ବାଣୀ, ଶବ୍ଦାବଳୀ ଓ ସାଖୀନାମରେ ପ୍ରସିଦ୍ଧ । କଥୋପକଥନ ଛଳରେ ସେ ହିନ୍ଦି ଭାଷାରେ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ । ଶହେ କୋଡ଼ିଏ ବର୍ଷ ବୟସରେ ସେ ପରଲୋକ ପ୍ରାପ୍ତ ହେଲେ । ସେ ହିନ୍ଦୁ ଓ ମୁସଲମାନ୍‌ ଧର୍ମ୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ମୃତ୍ୟୁ ପରେ ହିନ୍ଦୁ ଓ ମୁସଲମାନ ଉଭୟେ ନିଜ ନିଜ ଧର୍ମ୍ମାନୁସାରେ ଶବ ଦାହ ଓ କବର ଦେବାକୁ ବିବାଦ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଶବ ଉପର-ଆବରଣର ବସ୍ତ୍ର କାଢ଼ିବା ପରେ ଶବ ପରିବର୍ତ୍ତରେ ଗୋଟିଏ ଫୁଲ ଦେଖାଗଲା । ହିନ୍ଦୁ ଓ ମୁସଲମାନ ଫୁଲଟିକୁ ଭାଗ କରି ନେଇ ଦାହ ଓ କବର ଦେଲେ । କବିରଙ୍କର ଜନ୍ମ, ପାଳନ, ସିଦ୍ଧିଲାଭ ଓ ଧର୍ମ ପ୍ରଚାର ସମ୍ୱନ୍ଧରେ ଏହିପରି ଜନଶ୍ରୁତି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ରହିଅଛି । ତାଙ୍କର ଉପଦେଶାବଳୀ ଅତି ମୂଲ୍ୟବାନ୍‌। ତାଙ୍କ ରଚିତ ଓ ଶିଷ୍ୟମାନଙ୍କ ଶିକ୍ଷାଲାଭ ନିମିତ୍ତ ପ୍ରଚାରିତ ‘ସାଖୀ’ ନାମକ ଉପଦେଶାବଳୀ ମଧ୍ୟରୁ କେତେକ ଗୋଟି ହିନ୍ଦି ପଦ୍ୟର ଉତ୍କଳ ଅନୁବାଦ ଏଠାରେ ଦିଆ ଯାଉଅଛି:-

 

‘‘ସାଖୀ’’

( ୧ )

ଗୁରୁ ଆଉ ଗୋବିନ୍ଦରେ ଦେଖି ଏକ ଠାବେ

କି କରିବ ବୋଲି ଶିଷ୍ୟ ମନେ ମନେ ଭାବେ

କାହାକୁ ପ୍ରଥମେ ଏବେ କରିବ ପ୍ରଣାମ

କହିଲେ ଗୋବିନ୍ଦ ‘‘ଆଗେ ଗୁରୁ ପାଦେ ନମ

ଗୁରୁ ମୋହଠାରୁ ବଡ଼

ମୋ ବଚନ ସତ୍ୟ ମଣି ସନ୍ଦେହେ ନପଡ଼ ।’’

 

( ୨ )

ନିଶୀଥେ ଗଗନେ କୋଟୀ ତାରା-ଦୀପ ଜଳେ

ପ୍ରଭାତ-ରବି-କିରଣେ ଲୁଚେ ଅନ୍ତରାଳେ,

ନ ଥାଏ ତା ଚିହ୍ନବର୍ଣ୍ଣ, ତେଜ ତ ନ ଥାଏ

ପାଣି ଫୋଟକା ଯେସନ ଦଣ୍ଡକେ ମିଳାଏ,

ମାନବ ଜୀବନ,

ଏ ସଂସାରେ ସେହିପରି କ୍ଷଣସ୍ଥାୟୀ ଜାଣ ।

 

( ୩ )

ପ୍ରେମର ଜନମ କେବେ ନ ହୁଅଇ ଘରେ

ବଣିଜ ପରି ସେ ବିକା ନ ହୁଏ ବଜାରେ,

ହେଉ ସେ ପରଜା ଅବା ରଜା ହୋଇଥାଉ

ମନ ଯାହାଠାରେ ମାନେ କି ବିଚାର ଆଉ ?

ମୂଲଚାଲ କିଛି ନାହିଁ,

କିଣି ନିଏ ପ୍ରେମ ନିଜ ଶିର ବଦଳାଇ ।

 

( ୪ )

ସାଧୁ ଜନ ନିଜ ପାଇଁ ନ କରେ ସଞ୍ଚୟ,

ନିଜେ ବଞ୍ଚି ରହିବାକୁ ନ ଥାଏ ତା ଭୟ,

ରହିଛନ୍ତି ପ୍ରଭୁ ତାର ଆଗରେ ପଛରେ,

କାହିଁକି ଭାବନା ଆଉ କରିବ ମିଛରେ ?

ଯେବେ ଯାହା ସେ ମାଗଇ,

ଲୋଡ଼ିବା ମାତ୍ରକେ ନିଜ ପ୍ରଭୁଠାରୁ ପାଇ ।

 

( ୫ )

ଆଖିରେ ଯାହାକୁ ଦେଖି କଣ୍ଟା ପୁରି ମଣ

କଣ୍ଟା ନୁହେ କେବେ ତାହା ଫୁଲ ବୋଲି ଜାଣ,

କଷ୍ଟ କଲେ, ଇଷ୍ଟ-ଲାଭ ଅବଶ୍ୟ ହୁଅଇ,

ସାଧୁଜନ କଣ୍ଟକକୁ କୁସୁମ ଭାଳଇ,

ତ୍ରିଶୂଳ ଯେସନ

କଣ୍ଟା ପରି ଦିଶେ ସିନା, ରଖଇ ଜୀବନ ।

 

( ୬ )

ସାଧୁ ଜନଙ୍କର ଜାତି ଗୋତ୍ର ନ ପଚାର

ଜାଣନ୍ତି କି ନାହିଁ ବୁଝ ତତ୍ତ୍ୱର ବିଚାର,

ତରବାରୀ ଯେବେ ବାବୁ ! କିଣିବାକୁ ମନ

ଖଣ୍ଡା ଖୋଳ ବାଛିବାରେ କିବା ପ୍ରୟୋଜନ ?

ଖର ତରବାରୀ ଧାର,

ପରଖି ତାହାକୁ ଲୋକ କରେ କାରବାର ।

 

( ୭ )

ମାଳୀ ଆସି ବୁଲିଗଲା ସାରା ଉପବନ

ବାଛି ବାଛି ତୋଳି ନେଲା ଫୁଟିଲା ସୁମନ,

ଛାଡ଼ିଗଲା କଢ଼ୀ ତକ ଯେତେ ଯହିଁ ଥିଲା,

ତା ଦେଖି କଢ଼ୀ ମନରେ ଗରବ ବଢ଼ିଲା,

ସେ ତ ଭାଳି ପାରୁନାହିଁ,

ଫୁଟିବାକୁ ଛାଡ଼ିଗଲା ମାଳୀ କାଲି ପାଇଁ ।

 

( ୮ )

ସୁରସ, ସୁସ୍ୱାଦୁ ଫଳ ତରୁରେ ଫଳଇ,

ଦିନେ ହେଲେ ନିଜ ଫଳ ନିଜେ ନ ଚାଖଇ,

ନଦୀ ସଞ୍ଚି ନ ରଖଇ କେବେ ହେଳେ ଜଳ

ସୃଷ୍ଟି ତାର ଜନ-ତୃପ୍ତି ପାଇଁକି କେବଳ,

ସେହିମତ ସାଧୁଜନ,

ପରଲାଗି ଧରିଥାଏ ଆପଣା ଜୀବନ ।

 

( ୯ )

ଘୃଣା କରୁଛ ଯାହାକୁ ମନ୍ଦ ଲୋକ ମଣି

ସେ ନୁହେ ଘୃଣାର ପାତ୍ର, ପାରୁ ନାହିଁ ଜାଣି,

ମନ୍ଦ ବୋଲି କହି, ନେଲ ଆଖିକି ଫେରାଇ

ଆପଣା କଥା ତ ଥରେ ବିଚାରିଲି ନାହିଁ,

ନିଜ ଚରିତ୍ର ଅନାଇଁ,

ଖୋଜି ଦେଖ ତୁମ୍ଭଠାରୁ ମନ୍ଦ କିଏ କାହିଁ ?

 

( ୧୦ )

ମିଥ୍ୟାର ସମାନ ପାପ ନାହିଁ ଜଗତରେ

ସତ୍ୟ ଯେହୁ କହେ ସଦା ତପ ସେ ଆଚରେ,

ସତ୍ୟ ପୂରି ରହିଅଛି ଅନ୍ତରେ ଯାହାର

ସତତ ଉଜ୍ୱଳ ତାର ଭିତର, ବାହାର,

ତିନି ଜଗତର ପିତା

ପିନ୍ଧାଇ ଦିଅନ୍ତି ତାର ଶିରେ ବୀର-ଚିତା ।

 

( ୧୧ )

ଟାଣ ମାଟି ଦେଖି କୁମ୍ଭାରଟି ବିଚାରଇ

ଯିବୁ କିରେ ଭାଳୁ ମନେ ମୋତେ ତୁ ବଳାଇ ?

ଦଳି ସାନ୍ଧି ସାଧ୍ୟ କରି ଗଢ଼ିବି ଚକରେ

ହସି ହସି ମାଟି କହେ ଅନାଇଁ କୁମ୍ଭାରେ

‘‘ଛି ଛି ଟାଣ କରୁ କେତେ ।

ଆସିବ ସେଦିନ ପରା ଦଳିବି ମୁଁ ତୋତେ ।’’

 

( ୧୨)

ଅନ୍ୟାୟ ଯା କରେଁ, ଭାବେଁ କରୁଛି ଲୁଚାଇ

ଅନ୍ଧାରେ ବା ନିରୋଳାରେ କେହି ଦେଖୁ ନାହିଁ,

ଦେଖୁଛନ୍ତି କିନ୍ତୁ ସବୁ ଜଗତ କରତା

ମୁର୍ଖ ମୁହିଁ, ମନେ ମନେ ନ ଭାଳେ ସେ କଥା,

କାହିଁ ମୁଖ ଆଉ ମୋର

କି ବୋଲି ଧ୍ୟାଇବି ପ୍ରଭୁ ଚରଣ ଯୁଗଳ ?

 

ନବ-ବସନ୍ତ

( ୧ )

ଶୀତର ଶେଷେ କେ ସେ ?

ଶୁଷ୍କ ବନେ ଜରାର ମନେ

ନବ ଯୌବନ ଭାସେ,

କେ’ ଆସେ ରେ, କେ’ ଆସେ ରେ

କାହାର ଅଙ୍ଗ ବାସେ ?

 

( ୨ )

ରସାଳ-କୁଞ୍ଜ-ତଳେ -

ସହସା କିଏ ଆସିଲା କାହୁଁ

କୁହୁ କୁହୁ କେ ବୋଲେ ?

ତନ୍ଦ୍ରାଭରା ସ୍ୱପନ ତେଜି

ପଲ୍ଲବେ ଚମକିଲେ ।।

 

( ୩ )

ରୂପର ଦେଖା ନାହିଁ,

ଛାୟା ରୂପରେ ମାୟା ଘେନି ସେ

କାୟାରେ ମିଶେ କାହିଁ

ମଳୟ ତାକୁ ଆଣିଲା ବହି,

କୋଇଲି ଗଲା କହି ।।

 

( ୪ )

ଏଇତ ତାର ସାକ୍ଷୀ,

ବଉଳ ପେଣ୍ଡା ମଥାରେ ଖୋଷି

ରସାଳ କହେ ଡାକି,

ପଳାଶ ଓଠ ନାଲି ଚହଟ

ରହିଛି ପଥ ଟାକି ।।

 

( ୫ )

ଉଡ଼ାଇ ରଙ୍ଗ ବାନା

ଗହଳ ତରୁ ଆନନ୍ଦରେ

ହସଇ ସତେ ଅନାଁ

ଛାୟାର ତଳେ ଗାଇଲା କିଏ

ମଙ୍ଗଳ ଗୀତ କାନା ।

 

( ୬ )

ଚନ୍ଦ୍ର ମଲ୍ଲୀ ହସେ

ଭ୍ରମର କାହୁଁ କାନନୁଁ ଆସି

ଆଦରେ ରସି ବସେ

ରଜନୀ ଦିବା ମିଳନ ସରି

ଶୋଭା ସେ ପରକାଶେ ।

 

( ୭ )

କପୋତ କହେ ବନେ,

ଅତି ଗମ୍ଭୀରେ, ଦୋଳାଇ ମଥା

‘‘ଜାଣେ ମୁଁ, ତାକୁ ଜାଣେ’’

ଭ୍ରମର ବୁଲି, ଆଗମ ତାର

କହିଲା ଫୁଲ-କାନେ ।

 

( ୮ )

ପଡ଼ିଲା କୋଳାହଳ,

‘‘ଏହି ସେ ଆସି ଏହି ସେ ଗଲା -

ବାରିଲି ଛୁଆଁ ତାର’’

ଠାରି ଅଙ୍ଗୁଳୀ, କହଇ ହସି

ବଣ ମଲ୍ଲୀର ଦଳ ।

 

( ୯ )

କଣ୍ଠେ କଣ୍ଠେ ଗୀତ

ଦୂରେ ଘୁଞ୍ଚିଲା କାକର ଶୀତ,

ହସେ ବନ ପର୍ବତ

ଭୁବନ ବନ୍ଦେ ‘‘ନବ-ବସନ୍ତ’’

ସ୍ୱାଗତ ସ୍ୱାଗତ ।

 

ଅଗଷ୍ଟ ପନ୍ଦର

ମାଘର ଶେଷେ ମାଆ କୋଳେ ଦିନେ

ବସିଥିଲି କଉତୁକେ,

ବନ ବନାନ୍ତ ଚହଳ ପକାଇ

ଡାକ ଦେଲା କହୁ-କୁ କେ ।

 

ଜରା ତନୁ ହେଲା କୁସୁମେ ଭରା

ଯଉବନ ଫେରି ଆସି,

ଶାଗୁଆ ଶାଢ଼ୀରୁ ଅତର ସିଞ୍ଚା

ମହକ ଆସଇ ଭାସି ।

 

ଘରଟି ମୋହର ଜମକି ଉଠିଲା

ମାଆ କୋଳେ ହେଲି ଧନ୍ୟ

ଭିତର ବାହାର-ଦୁନିଆଁ ସାଗ

ହେଲା ମୋର ସୁଖ-ମନ୍ୟ ।

 

ସେହି ଆନନ୍ଦେ ମତ୍ତ ଭୋଳା

ଘାରିଲା ଅମଳ ନିଶା,

ଢୁଳାଇ ଥିଲି ନିଦ ମାଟି ବୁଣି

କିଏ ମୋତେ କଲା ହିଂସା ?

 

ଚେତନେ ବସି ମୁଁ ସପନ ଦେଖୁଛି

ଧନ ଧାନ୍ୟରେ ଭରା,

ହୀରା ମୋତି ମୋର ମାଆ ଗନ୍ତାଘରେ

ନାହିଁ କେଉଁ କଥା ଭଲା ?

 

ବସି ଖାଇଲେ ତ ସପ୍ତ ପୁରୁଷ

ଦିହକ ମାରିବେ ମଜା,

ଖାତର କାହାକୁ ବୋଲି, ଅବସରେ

ଖାଉଥିଲି ଖୁସି ଖଜା ।

 

ଯୁଗ ବିତିଗଲା ଚେତନା ନୋହିଲା

ଶୋଇଲି ମୁଁ ଶେଯ ପାରି,

ଯୋଗ ଯାଏ ନାହିଁ, ରାତି ଅଧେ ଦିନେ

ଆଖିରେ ପଡ଼ିଲା ବାଲି ।

 

ଅତି ପ୍ରପଞ୍ଚ ପ୍ରଳୟ ରଜନୀ

ସାଇଁ ଗରଜଇ ଝଡ଼,

ହିମାଚଳ ଶିଖ ଟଳି ପଡ଼ିବ କି

ଶୁଭେ ଖାଲି କଡ଼ମଡ଼ ।

 

ତାଣ୍ଡବ ନୁହେଁ, ପ୍ରଳୟଙ୍କର

ଖାଣ୍ଡବ ନିଆଁ ପରା,

ବିଘ୍ନ ନ ମାନି, ଆଖିର ପଲକେ

ଜାଳିବ ଦୁନିଆଁ ସାରା ।

 

ବଙ୍ଗ-ସାଗର-ତୁଙ୍ଗ-ଲହରୀ

ଶୃଙ୍ଗ ଗରଭେ ଏ କି ?

ଝଡ଼ ବରଷାକୁ ନ ମାନି ଆସଇ

ରଙ୍ଗ ପତାକା ଟେକି ।

 

ନୁହଇ ସେ ଅବା ପତାକା, ନିଆଁର

ଲହକ ଜିଭର ତେଜ,

ଦୂରରୁ ପରଶ ଲାଗି ପରା ସତେ

ଜଳିଗଲା ପରା-ଶେଯ ।

 

ସଙ୍ଗରେ ତାର ମଡ଼କ, ମରୁଡ଼ି -

ଭେଦ ମନ୍ତର ଆସି,

ସୁନା ଘରେ ମୋର ଝସାଇ ପଶିଲେ -

ସେଇ ହେଲା କାଳ ଫାଶୀ ।

 

ମୁହଁ ମିଠା କରି, ଚିହ୍ନା ଜନ ପରି

ପିଠିରେ ବୁଲାଇ ହାତ,

ଚମ ଉକୁଟାଇ, ଖଞ୍ଜରେ ଖଞ୍ଜରେ

କାଢ଼ିନେଲା ବଢ଼ା ଭାତ ।

 

ସକାଳେ ଉଠିଲି ଚମକି ଚାହିଁଲି

ମାଆ କୋଳେ ମୁଁ ତ ନାହିଁ,

ସୁନା ପଞ୍ଜୁରିରେ-ପରକଟା ହୋଇ

ଡାଙ୍ଗରେ ବସିଛି ଯାଇ ।

 

ଗୁଣିଆ କିଏ ସେ ଗାରଡ଼ି ପଢ଼ିଲା

ଅନ୍ଧ ହୋଇଲା ଆଖି,

ମହୁ ବଦଳରେ, ଭୁଲି ତ ରହିଲି

ମହାକାଳ ଫଳ ଚାଖି ।

 

କାହିଁ ଗଲା ମୋର ଦେବତା ଦେଉଳ

ସଞ୍ଜ ଆରତି ଘଣ୍ଟ,

ସୁବର୍ଣ୍ଣ ଥାଳିରେ ସର ପରଶୁଣି

ଚାଟି ଖାଇଗଲା ଖଣ୍ଟ ।

 

କିମିଆଁ କଲା ସେ ଦୋମୁହାଁ ବେପାରୀ

ଭାଇ ହେଲା ଭାଇ ସଲ, -

ସୁନା ପଞ୍ଜୁରିରେ ଡେଣା-ପର-ଛିଣ୍ଡା

ଚାହୁଁ ଥାଏଁ ବଲ ବଲ ।

 

‘ରାମ କୃଷ୍ଣ ରାମ’ ବଳେ ପାଶୋରାଇ

ବୋଲି ପଢ଼ାଇଲା ତାର,

ପିତଳ ଭଳାଇ ସୁନା ଭଣ୍ଡାଇଲା

ଭେଳିକୀର କାରବାର ।

 

ଦୁବ ଦେଇ ଦୁଧ ନିଗାଡ଼ି ପିଇଲା

ବତ୍ସା ଭୋକେ ଛଟପଟ,

ବିଧାତା ଆଗରେ କହିବାକୁ ହେଲେ

ଆକଟି ଧରିଲା ଥଣ୍ଟ ।

 

ଚାହୁଁଥାଏ ମୋର ଆଖି ଆଗେ ଆଗେ

ଘର ଧନ ନେଲା ପର,

ମୁହଁ ମୁଦା, ହାତ ଛନ୍ଦା, ଗୋଡ଼ ବନ୍ଧା

କଟା ପୁଣି ଡେଣା ପର ।

 

ରାଗେ ଗର ଗର ତନୁ ସାରା ମୋର

ଲଢ଼ିବି କଲି ମୁଁ ମନ,

ହିଂସା ବଦଳେ, ହିଂସାର କୁରାଢ଼ୀ

ସଜାଇବି କଲି ପଣ ।

 

କାଠ ଯୋଗାଡ଼ିଲି, ନିଆଁ ଜଳାଇଲି

ହାତୁଡ଼ୀ ଧରିଲି ହାତେ,

କୁରାଢ଼ୀ ନିଆଁରେ ପୋତିଲି, ଜଳିଲା

ଶାଳ ନିଆଁ ସାଥେ ସାଥେ ।

 

ହୋମ-ଶିଖା ଭଳି ପବିତ୍ର ନିଆଁରୁ

ଆଚମ୍ବିତେ ଦେଖାଗଲା,

ରାମଚନ୍ଦ୍ର, ବୁଦ୍ଧ, ଅଶୋକ ସାକ୍ଷାତେ

ଭଲା ଏ କି କଥା ହେଲା !

 

ଏତିକି ବେଳକୁ ଫକିର କିଏ ସେ

କହେ ଆସି ତୁନି ତୁନି,

ଆଣ୍ଠୁ ଲୁଚୁ ନାହିଁ ଖଦୀ ପିନ୍ଧା, -

ହେବ ଏ ଯୁଗର ମହାମୁନି ।

 

‘‘ବାପ ଅଜା ବାଟ ଧରରେ କୁମର !

ଜାଣି ନ ଥିଲେ ସେ ହିଂସା,

ସହିବା ଜନଟି ପାରିବାର ସିନା

ଅହିଂସା ତୋହର ଦଶା ।

 

କେତେ ଭାଇ, ବନ୍ଧୁ, ମାଆ, ଝିଅ, ବୋହୂ

ସଙ୍ଗୀନ୍‌ ମୂନରେ ମଲେ,

ଦୋଷ ନାହିଁ, ପଦେ କଥା କହି କେତେ

ଆଗୁଳା-ଘରକୁ ଗଲେ ।

 

ବେତ ବାଡ଼ି ଖାଇ ପିଠି ଫାଟିଗଲା

ଲୁଣ ମୁଠାକର ପାଇଁ,

ଗୁରୁଣ୍ଡି-ଗୋପାଳ ହେଲେ ରେ ମଣିଷ

ଢୋକ ପାଣି ମୁହେଁ ନାହିଁ ।

 

ଛେଳି ପଲ ଭଳି ବଳିଲେ ପଡ଼ିଲେ

କେତେ ମୁଣ୍ଡିଆଳ ପୁଏ,

ମାଆ ମୁହେଁ ଫେରି ଅନାଁରେ ବାଳୁତ

ଝର ଝର ଲୁହ ବହେ ।

 

ସାଧନ କର ତୁ, ସଂଯମ ରଖ ତୁ

ସେଇ ଏକା ସିଦ୍ଧି-ବାଟ,

ଗବ ଡାଙ୍ଗଟାର ଭରସା ତୋ ନାହିଁ

ମିଛରେ ବସାଉ ହାଟ ?

 

ଡେଣା-କଟା ବାୟା ଚଢ଼େଇ ପରା ତୁ,

ଗୋଡ଼ାରେ ଲାଗିଛି ଡୋର,

ସୁନା ପଞ୍ଜୁରିକି ଡିହରେ ଭାଙ୍ଗିବୁ

ଭଲା ତ ସାହସ ତୋର !’’

 

ସେଇଦିନୁ ସତେ ଦାନା ଛାଡ଼ ହେଲା

ପିତା ହେଲା ଗୁଡ଼ ମୁଆଁ,

ଲୁହା ବଡ଼ଚଣା ଖାଇ ଦିନ ଗଲା

ପଡ଼ିଲା ଅହିଂସା-ଦୁଆ ।

 

ଦିନେ ରାତି ଅଧେ ବରଷା ଆସିଲା

ପ୍ରଳୟ ବହିଲା ବାଆ,

ମେଦିନୀ ଥରିଲା, ରଖ ଦୀନବନ୍ଧୁ !

ଆଉ କେହି ନାହିଁ ସାହା ।

 

ଆଖି ମୁଦି ତପ ଯୋଗରେ କେଜାଣି

ବିତିଗଲା କେତେ କାଳ,

ଆଗତ ଭବିଷ୍ୟ ସପନ ଭାବନା

ଦେଖାଦେଲା ମାଳ ମାଳ ।

 

ହସିଛି, କାନ୍ଦୁଛି, ଖେଦ ବଖାଣିଛି

ଶୁଣିବାକୁ କେହି ନାହିଁ,

ଉପାସ ଭୋକରେ ହଂସା ଉଡ଼ିଗଲା -

ଅହିଂସା ମନ୍ତର ଗାଇ ।

 

ଘୂମାଇ ପଡ଼ିଛି ସେ ଦିନ ଥକାରେ,

କେତେ ଅବସ୍ଥା ମୁଁ ହେଲି,

ନାଲି ମେଘେ ନୂଆ ରବି ପରକାଶ

ଚାହିଁଲି ନୟନ ମେଲି ।

 

ବୁଜୁଳା ପୁଟୁଳା ସାଇତା ଲାଗିଛି

ଖାଉଁଦ ବିରସ ମୁଖ,

ସଜଡ଼ା କମାଣ ମୁହଁ ଲେଉଟାଇ

ସିପାହୀକି ଦେଲା ଦୁଖ ।

 

ଯେଉଁ ବାଟେ ବାଟେ ଆସିଲା କେଉଟ

ଲେଉଟିଲା ସେଇ ବାଟେ,

ସୁନା ପଞ୍ଜୁରୀର ଦୁଆର ଫିଟିଲା

ଟିପି ଚଢ଼େଇର ନାତେ ।

 

ଧାଇଁ ଯାଇ ମାଆ ପଦେ ଜୁହାରିଲି

ଗଙ୍ଗା ଜଳେ ଦେଇ ବୁଡ଼,

ମନେ ରଖିଛି ମୁଁ ‘ଅଗଷ୍ଟ ପନ୍ଦର’

ତାରିଖ ନୁହଇ ହୁଡ଼ ।

 

ଅଭିମନ୍ୟୁ

( ୧ )

ଋତୁରାଜ ବସନ୍ତ ଆଗତ -

ସୁର, ନାଗ, ନରଲୋକ ପୁଲକେ ପ୍ରମତ୍ତ ।

ବିଜେ କରିଛନ୍ତି ପୁଣି ବସନ୍ତ ପାଳିଆ

ବଉଳ-ମାଳିଆ କାମ ସୁନ୍ଦର କାଳିଆ ।

 

ସୁରା-ସୁର ଯକ୍ଷ, ନର, ଗନ୍ଧର୍ବ କିନ୍ନର

ଫୁଲଧନୁ ଶାସନର ପାଶେ ସିନା ଛାର !

ଚନ୍ଦ୍ର ଘରେ ଲାଗିଅଛି ଆନନ୍ଦ ଉତ୍ସବ

ରସ-ରଙ୍ଗେ ମାତିଛନ୍ତି ରୋହିଣୀ - ବଲ୍ଲଭ ।

 

ଏକାନ୍ତ-ବାସରେ ଶଶୀ ଅନ୍ତଃପୁରେ ଥାଇ

ମତ୍ତ ପ୍ରେମ ଭୋଳେ, ଅନ୍ୟ ଚିନ୍ତା ମନେ ନାହିଁ ।

ନିଜତ୍ୱ ହରାଇ ସେ ତ ଆନ-ମନା ଆଜି

ଦେବତ୍ୱ-ଗୌରବ ଓଜ ଯାଇଅଛି ଭାଜି ।

 

ଏସନ ସମୟେ ଗର୍ଗମୁନି ପରବେଶ

ଚନ୍ଦ୍ରପୁରେ ନ ଲଭି ସେ ଅରଚନା ଲେଶ;

ବାଧିଲା ହୃଦୟେ ଅତି ଗୁରୁ ଅପମାନ

ଅଭିମାନେ ଆରକ୍ତିମ ଦିଶିଲା ନୟନ ।

 

ସଙ୍ଗେ ଆସିଥିଲେ ଶିଷ୍ୟ ତାପସ କୁମାର

ଅସମ୍ମାନ ହେତୁ ହେଲେ କୋପେ ଜରଜର ।

ଜଳଦ ଗମ୍ଭୀର ସ୍ୱରେ ଗର୍ଗମୁନି ଭଣି

ଏଡ଼େ ଅହଂକାର ଚନ୍ଦ୍ର ! ଅଛ ତୁଚ୍ଛ ମଣି ?

 

ଋଷିକୁଳ ତୁମ୍ଭ ପୁରେ ଆସି ଉପଗତ

ସମ୍ମାନ ବରଜି ତୁମ୍ଭେ ରସଖେଳେ ମତ୍ତ ?

ଅହଂକାରେ ଆଚରିଲ ଯେଉଁ ମହାପାପ

ପ୍ରତିଫଳେ ତାର ଦେଉଅଛି ଅଭିଶାପ ।

 

ମର୍ତ୍ତ୍ୟରେ ଜନମ ହେବ ନର-ଦେହ ବହି

ଚନ୍ଦ୍ର-ଲୋକେ ଆଉ ତୁମ୍ଭ ବାସ ନ ଯୋଗାଇ ।

ଝାଉଁଳି ପଡ଼ିଲା ସରି କନକ-ଲତିକା

ଦଣ୍ଡକରେ ଚନ୍ଦ୍ରମୁଖ ଶିରୀ ହେଲା ଫିକା ।

 

ହାହାକାର ପଡ଼ିଗଲା ଚନ୍ଦ୍ରଲୋକ ସାରା

ରୋହିଣୀ ନୟନେ ଭରି ଗଲା ନୀର ଧାରା

ଆକୁଳ ଶଶାଙ୍କ, ମୁଖେ ନ ସ୍ଫୁରଇ ବାଣୀ

ଗର୍ଗ-ସଦେ ଜଣାଇଁଲେ ଯୋଡ଼ି ବେନିପାଣି ।

 

କ୍ଷମା କର ମୁନିବର ଦୟାରସାଗର !

ରସରଙ୍ଗେ ହାରିଥିଲି ବିବେକ ମୋହର ।

ଗୁରୁ ଅଭିଶାପ ଢବ ସହିବି କିପରି,

କ୍ଷମାକର ଅପରାଧ ମାଗେଁ ପଦ ଧରି ।

 

ଅନେକ ବିନୟୀ ଚନ୍ଦ୍ର ରୋହିଣୀ ସହିତେ

କହନ୍ତେ ଆସିଲା ଦୟା ଗର୍ଗମୁନି ଚିତ୍ତେ ।

ଭାଷିଲେ ସେ ବାକ୍ୟ ମୋର ନ ହେବ ଖଣ୍ଡନ,

ଶୁଣ ଯାହା କହୁଅଛି ଗଗନ-ମଣ୍ଡନ !

 

ଷୋଡ଼ଶ ବରଷ ଲଭି ମର କଳେବର

ବୋଲାଇବ ପାର୍ଥ-ସୁତ ମହା ଧନୁର୍ଦ୍ଧର ।

ସୁଭଦ୍ରା ଜନନୀ ଗର୍ଭେ ଲଭିବ ଜନମ

ଶାପ-ଅନ୍ତେ ବାହୁଡ଼ିବ ରଖି ମର୍ତ୍ତ୍ୟେ ନାମ ।

 

କୁରୁକ୍ଷେତ୍ର ମହାଯୁଦ୍ଧେ ସମ୍ମୁଖ ସମରେ

ନର ଦେହ ତେଜି ତୁମ୍ଭେ ଆସିବ ହେ ଘରେ ।

ଅନ୍ୟଥା ହେବାର ନୁହେ ଋଷିର ବଚନ

ତେଣୁ ମର୍ତ୍ତ୍ୟେ ନରରୂପେ ଚନ୍ଦ୍ରମା ଜନମ ।

 

( ୨ )

ଚନ୍ଦ୍ରଲୋକ-ଭ୍ରଷ୍ଟ ହୋଇ ଅଚିରେ ଶଶାଙ୍କ

ମରତେ ମଣ୍ଡିଲେ ଯାଇ ସୁଭଦ୍ରାର ଅଙ୍କ ।

ପାଣ୍ଡବ ପାଞ୍ଚ ଭାଇଏ ହରଷିତ ମନେ

ଆଦରେ ଡାକିଲେ ସୁତେ ‘ଅଭିମନ୍ୟୁ’ ନାମେ ।

 

ଦିନୁଦିନ ବଢ଼େ ଶିଶୁ କୌତୁକ ଆଚରି

ଶରଦୀୟ ଶୁକ୍ଳପକ୍ଷ ଶଶଧର ସରି ।

ପିତୃମାତୃ ଗୁଣେ ପୁତ୍ର ହେଲା ଗୁଣାକାର

ମାତୁଳ ଯାହାର କୃଷ୍ଣ, କି ଆଉ ପଚାର ?

 

କୁରୁସୁତେ ପାଣ୍ଡବର ଶିରୀ ନ ଦେଖନ୍ତି

ମନ୍ତ୍ରଣା ଦେବାକୁ ମନ୍ତ୍ରୀ ଶକୁନୀ ଅଛନ୍ତି ।

ଭିଆଇ ବସିଲେ ବାଜି ରଖି ପଶାଖେଳ

କୁରୁ ଶତ-ଭାଇ ହୋଇଛନ୍ତି ଏକମେଳ ।

 

ପାଣ୍ଡବେ ହରାଇ ଖେଳେ ରାଜ୍ୟ, ରତ୍ନ, ଧନ

ଅବଶେଷେ ଗୃହ ତେଜି ଆଶ୍ରିଲେ କାନନ ।

ଦୁଃଖେ କଷ୍ଟେ ପଣ୍ଡୁ ପୁଏ ସାରି ବନବାସ,

ଅଜ୍ଞାତ ବାସରେ ପୁଣି କାଟିଲେ ବରଷ ।

 

ସୁଭଦ୍ରା ସହିତେ ଅଭିମନ୍ୟୁ ମାମୁଁଘରେ -

ରହିଲେ, ପାଣ୍ଡବେ ଯେବେ ବନବାସେ ଗଲେ ।

ମାତୁଳ-ଗୃହରେ ଶିକ୍ଷା ଲଭିଲା କୁମର

ଅସ୍ତ୍ର ଶସ୍ତ୍ର ଚାଳନାରେ ହେଲା ଧୁରନ୍ଧର ।

 

ତ୍ରିଜଗତେ ନାହିଁ ପରା ତାହା ସରି ଜଣେ

ବରୁଣ, କୁବେର, ଇନ୍ଦ୍ର ହାରିଯିବେ ରଣେ ।

ବନବାସ ଅନ୍ତେ ତେଣେ ପଣ୍ଡୁର କୁମରେ

ପରବେଶ ହେଲେ ଯାଇ ବିରାଟ ନଗରେ ।

 

କୃଷ୍ଣ ଆଦି ସେ ସମ୍ବାଦେ ଆନନ୍ଦ ମାନସ

ଭେଟିଲେ ପାଣ୍ଡବେ, ସର୍ବେ ହୋଇ ହସ ହସ ।

ମାତା ତୁଲେ ଅଭିମନ୍ୟୁ ଗୁରୁଜନ ପଦେ

ପ୍ରଣାମ କରିଲା ଯାଇ ଭକ୍ତି ଗଦଗଦେ ।

 

ବିରାଟ-ନନ୍ଦିନୀ, ରୂପେ ଗୁଣେ ଶଚୀ ସରି

ଉତ୍ତରା ନାମରେ ଦେବ-ଦୁଲ୍ଳଭ ସୁନ୍ଦରୀ ।

ଆସିଲେ ବିରାଟ ରାଜା ଅଭିମନ୍ୟୁ କରେ

ବହୁ ଧନରତ୍ନ ଭେଟ ଦେଇ ଯୌତୁକରେ ।

 

ପଣ୍ଡୁସୁତେ ହସ୍ତୀନାରେ ହେଲେ ଉପଗତ

ଭିକ୍ଷା କଲେ ଦୁର୍ଯ୍ୟୋଧନେ ପଞ୍ଚପଡ଼ା ମାତ୍ର ।

ଦୂତପଣେ ନିଜେ କୃଷ୍ଣ କରିଲେ ଗମନ,

ନୋହିଲା, ନ ଦେଲା ପଞ୍ଚଗ୍ରାମ ଦୁର୍ଯ୍ୟୋଧନ ।

 

କହିଲା ଆବର କୁରୁରାଜ ଅଭିମାନୀ

ବିନାଯୁଦ୍ଧେ ଦେବି ନାହିଁ ସୁଚ୍ୟଗ୍ର-ଧରଣୀ ।

ଆରମ୍ଭ ହୋଇଲା କୁରୁକ୍ଷେତ୍ର ମହାରଣ

କୌରବ ପକ୍ଷରେ ବୀର ଭୀଷ୍ମ, ଦ୍ରୋଣ, କର୍ଣ୍ଣ ।

 

ମହା ମହା ରଥୀମାନେ ସାଜି ଅଶ୍ୱ ଗଜ

କୁରୁକ୍ଷେତ୍ର ଯୁଦ୍ଧ ଲାଗି ହେଲେ ବେଗେ ସଜ ।

କୁଳବୃଦ୍ଧ ପିତାମହ ଭୀଷ୍ମ ଦିନ ଦଶ

ଲଢ଼ିଲେ ସମରେ, ଶେଷେ ହୋଇଲେ ଅବଶ ।

 

ଶରଶଯ୍ୟାରେ ଶାୟିତ ଭୀଷ୍ମ ମହାରଥୀ,

ଏ ବିପଦେ ଦୁର୍ଯ୍ୟୋଧନ ଚିନ୍ତା-ମଗ୍ନ ଅତି ।

ଭୀଷ୍ମ ସରି ବୀର ଯହିଁ ହାରିଲେ ସମରେ

କି ଆଶା ରହିଲା ଆଉ ଭାଳନ୍ତି ମନରେ ।

 

କିଏ ହେବ ସେନାପତି ଚଳାଇବ ରଣ,

କାହା ଶରାଘାତେ ହେବ ପାଣ୍ଡବ-ନିଧନ ?

ଲୋଡ଼ା ନାହିଁ ରାଜ୍ୟ-ସୁଖ, ଲୋଡ଼ା ନାହିଁ ଧନ,

ତୁଚ୍ଛ ଏ ରାଜମୁକୁଟ, ତୁଚ୍ଛ ସିଂହାସନ ।

 

ଯେ ଯାହା ମାଗିବ ମାଗୁ ଦେବି ସତ୍ୟ କଲି

ଯୁଧିଷ୍ଠିରେ କିଏ ଆଣି ଦିଅ ବନ୍ଦ କରି ।

ମନ୍ତ୍ରଣା ଶିବିରେ ପଡ଼ିଅଛି ଏ ବିଚାର

ଗରବେ ଗରଜି କହେ କର୍ଣ୍ଣ ଧନୁର୍ଦ୍ଧର ।

 

‘‘କାହିଁକି ଚିନ୍ତିତ କହ ଆହେ କୁରୁସାଇଁ

ଭୀଷ୍ମ ଭିନ୍ନ ଜଗତରେ ବୀର ଆଉ ନାହିଁ ?

ବାର୍ଦ୍ଧକ୍ୟ-ପୀଡ଼ିତ, ରକ୍ତ ଶିଥିଳ ତାଙ୍କର

ପାଣ୍ଡବ ସହିତେ ସେ କି କରନ୍ତେ ସମର ?

 

ଯାବତ ଥିବ ଏ ପିଣ୍ଡେ କର୍ଣ୍ଣର ପରାଣ,

ତୁମ୍ଭ ଲାଗି କୁରୁପତି, କରି ସହାରଣ

ଘଟାଇବି ପାଣ୍ଡବର ମରଣ ନିଶ୍ଚୟ

ରକ୍ତାକ୍ଷରେ ଲେଖିରଖ କୌରବର ଜୟ ।’’

 

କଣ୍ଠର ବଚନ ଶୁଣି ରାଜା ଦୁର୍ଯ୍ୟୋଧନ

ସିଂହାସନୁ ଉଠି କହେ କରି ଆଲିଙ୍ଗନ ।

‘‘ସାଧୁ ସାଧୁ ତୁମ୍ଭେ ସଖା ହେଲି ମୁଁ ନିର୍ଭୟ,

ଜାଣିଲି ମୁଁ କୌରବର ଜୟ ସୁନିଶ୍ଚୟ ।

 

କାଲି ସେନାପତି ରୂପେ ଚଳାଇବ ରଣ

ତୁମ୍ଭ ହସ୍ତେ ହେବ ଏକା ପାଣ୍ଡବ-ନିଧନ ।

ବାଧା ଦେଇ କୃପାଚାର୍ଯ୍ୟ କହିଲେ ସଭାରେ,

‘‘ଏ କି କର କୁରୁପତି ! ନ ଆସେ ବିଚାରେ ।

 

ଥାଉଁ ଅସ୍ତ୍ରଗୁରୁ ମହାବୀର ଦ୍ରୋଣାଚାର୍ଯ୍ୟ

କର୍ଣ୍ଣ ଚଳାଇବେ ଯୁଦ୍ଧେ ସେନାପତି କାର୍ଯ୍ୟ ?

ଧରାରେ କେ ନାହିଁ ବୀର ଦ୍ରୋଣ ସମତୁଲ

ଏକଥା କିପରି କୁରୁପତି ! ତୁମ୍ଭେ ଭୁଲ ?

 

ଦ୍ରୋଣ ମହାରଥୀ, କର୍ଣ୍ଣ ଅର୍ଦ୍ଧରଥୀ ସିନା,

ସେନାପତି କେ ହୋଇବ ଦ୍ରୋଣାଚାର୍ଯ୍ୟ ବିନା ?’’

ମହାବୀର ଅଶ୍ୱତ୍ଥାମା ଗରଜି କହଇ,

‘‘ଆସନ୍ନ ବିପଦେ ମତି ବିହ୍ୱଳ ହୁଅଇ ।

 

ନୋହିଲେ କି କୁରୁପତି କହନ୍ତେ ଏସନ

ଦ୍ରୋଣ ଥାଉଁ କର୍ଣ୍ଣ ନେବେ ସେନାପତି-ପଣ ?

ଅବିଚାର ହୁଏ ଯଦି କୌରବ-ସଭାରେ

ବିଳମ୍ବ ହୋଇବ ନାହିଁ ପକ୍ଷ ତେଜିବାରେ ।’’

 

ଶକୁନୀକୁ ରାଇ ତହୁଁ ରାଜା ଦୁର୍ଯ୍ୟୋଧନ

ସଚାରେ ମନ୍ତ୍ରଣା ଦିଅ ସଚିବ ପ୍ରଧାନ ।

ଦ୍ରୋଣ ହେବେ ସେନାପତି ସର୍ବେ ଏକମତ

ନିଜେ ଦୁର୍ଯ୍ୟୋଧନ ଦ୍ରୋଣ ପାଶେ ଉପଗତ ।

 

ପ୍ରଣମି ପଦରେ କହେ ବିନୟ ବଚନ

‘‘ଗୁରୁଦେବ ! ଏ ବିପଦେ ରଖ ମୋର ମାନ ।

ସେନାପତି ପଦେ ଥିଲି ପିତାମହେ ବରି

ମହାରଥୀ ବୋଲି, ଗଲା ସେ ଆଶା ମୋହରି ।

 

ଉପରୋଧେ ନ ବୁଝିଲେ, ପାଣ୍ଡବର ତୁଲେ

ଆଶାତରୁ ମୋର ଭାଙ୍ଗି ପଡ଼ିଛି ସମୂଳେ ।

ଏକମାତ୍ର ଭରସା ମୋ ଗୁରୋ ! ତବ ବଳ

ଏ ବିପଦେ ଦେବ ! ମୋତେ ନିରାଶ ନ କର ।

 

କାଲି ରଣେ ସେନାପତି ହୋଇବେ ଆପଣ,

ବନ୍ଦୀ ଯୁଧିଷ୍ଠିରେ ଆଣି ଦେବେ, - ନିବେଦନ ।’’

ଦୁର୍ଯ୍ୟୋଧନ ନୟନରୁ ବହେ ନୀର-ଧାର,

ଦ୍ରୋଣ ଗୁରୁ ମନେ ହେଲା ଦୟାର ସଞ୍ଚାର ।

 

ଆଶ୍ୱାସି କହିଲେ ଶୁଣ କୁରୁ ବୀରବର

ସେନାପତି ରୂପେ କାଲି କରିବି ସମର ।

ଆଣିଦେବି ଯୁଧିଷ୍ଠିରେ ନହୁଅ କାତର,

ନିଶ୍ଚିନ୍ତ ମାନସେ ଯାଅ ସୈନ୍ୟ-ସାଜ କର ।

 

ରଚି ଚକ୍ର-ବ୍ୟୂହ ମୁହିଁ ଚଳାଇବି ରଣ,

ଜଗତେ ଅଜଣା ବ୍ୟୂହ ଭେଦର ପ୍ରମାଣ ।

ହରଷରେ କୁରୁପତି କରେ ପ୍ରଣିପାତ

କୌରବ-ବାହିନୀ ହେଲେ ଆହ୍ଲାଦେ ଉଷତ ।

 

ଜୟ ମହାରଥୀ ଦ୍ରୋଣ ପଡ଼େ କୋଳାହଳ,

ଦୁର୍ଯ୍ୟୋଧନ ଲଭିଲା କି ଶତ ସିଂହବଳ !

 

କଳା ଝୀନ ଶାଢ଼ୀ ପହରି

ଆସେ ରଜନୀ ରାଣୀ,

ତାରା-ଜରି ବୁଟା ବିନ୍ଧାଣୀ

ଖଞ୍ଜି ଦେଲା କି ଆଣି ?

 

ଧ୍ୟାନରତ-ଜଟା-ମୁକୁଟ

ମୌନୀ ତାପସ ଗଣ,

ଉଭା ହେଲା ପରି ଦିଶିଲେ

ତୁଙ୍ଗ ପାଦପ ମାନ ।

 

ରବି-କରେ ଛବି-ମଳିନ-

ଜ୍ୟୋତିରିଙ୍ଗଣ ଦଳ

ନିଶିରେ ଗରବେ ଉଡ଼ିଲେ

ଜାଳି ଆଲୋକ-ମାଳା

 

ହସେ ବସି ନଭେ ଚନ୍ଦ୍ରମା

ଦେଖି ଖଦ୍ୟୋତ-ପନ୍ତି,

ଲକ୍ଷ କୋଟୀ ମେଳ ହେଲେ କି

ହେବେ ତପନ-ଭାନ୍ତି ?

 

କୁରୁକ୍ଷେତ୍ର-ରଣ-ପ୍ରାନ୍ତରେ

କରେ ଶିୟାଳ ରଡ଼ି,

ବୀର-ତନୁ ଧୂଳି ଲୋଟଇ

ତୂଳି-ତଳପ ଛାଡ଼ି ।

 

ଯେ ମାଟିରେ ତାର ଜନମ

ସେହି ମାଟି ସେ ଖୋଜେ

ଅଢ଼େଇ ଦିନର ଜଗତେ

ଥିବା ଦିନ କି ହେଜେ ?

 

କୌରବ-ଶିବିରେ ଏକାଳେ

ଶୁଭେଁ ଆନନ୍ଦ-ଧ୍ୱନି

ବାହୁଡ଼ିଲା ଚାର ଗୁପତେ

ଘେନି ଶିବିରୁ ବାଣୀ ।

 

ମନ୍ତ୍ରଣା ସଭାରେ ପାଣ୍ଡବେ

ଥିଲେ କୃଷ୍ଣ ସଙ୍ଗତେ,

ଚାର କହେ କରି ପ୍ରଣତି

ଯୁଧିଷ୍ଠିର ଅଗ୍ରତେ ।

 

ଭୋ ଦେବ, ଶୁଣି ମୁଁ ଅଇଲି

କୁରୁ ଶିବିରୁଁ ଏବେ,

କାଲି ରଣେ ଦ୍ରୋଣ ଆଚାର୍ଯ୍ୟ

ସେନା-ନାୟକ ହେବେ ।

 

ପଣ କରିଛନ୍ତି ଆଚାର୍ଯ୍ୟ

ଚକ୍ରବ୍ୟୂହ କରିବେ

ପାଇଲେ ଅର୍ଜ୍ଜୁନେ, ନତୁବା

ଧର୍ମ-ସୁତେ ବାନ୍ଧିବେ ।

 

ଶୁଣି ଯୁଧିଷ୍ଠିର ଶଶଙ୍କେ

କହେ ବିପଦେ ଅତି,

ଏତେବେଳେ ଦିଅ ବିଚାର

କୃଷ୍ଣ ଅଗତି-ଗତି ।

 

ପାଣ୍ଡବର ଚିର ଦୋସର

ତୁମ୍ଭେ ହେ ଚକ୍ରଧର,

ଏ ସଙ୍କଟେ ତୁମ୍ଭ ବିନା ତ

ନାହିଁ ପାଣ୍ଡବ-ବଳ ।

 

ହସି ଯଦୁପତି ଭାଷିଲେ,

ମିଛେ ଚିନ୍ତା ନ କର,

ଧରିବ ତୁମ୍ଭଙ୍କୁ ରଣରେ

ଅଛି ସାମର୍ଥ୍ୟ କାର ?

 

ଦ୍ରୋଣ ପରି ଶତ ସହସ୍ର

କଲେ କଳ୍ପନା ମନେ,

ନ ପାରିବେ କରି ବନ୍ଦୀ ସେ

କେବେ ଧର୍ମ-ନନ୍ଦନେ ।

 

ବର ସେନାପତି-ପଦରେ

କାଲି ଭୀମସେନରେ,

ଦ୍ରୋଣ ସମକକ୍ଷ ହେବେ ସେ

କିବା ଚିନ୍ତା ମନରେ ?

 

ଭୀମ-ଜୟ-ଘୋଷ ଉଛୁଳେ

ପାଣ୍ଡବର ଶିବିରେ,

ଅଭିଷେକ-ବିଧି ସରିଲା,

ସୁଖୀ ସକଳ ବୀରେ ।

 

କବାଟ ମୁଦିଲା ରଜନୀ,

ଜନ-ନୟନ-ଦ୍ୱାରେ,

ସନ୍ତାନର ପୀଡ଼ା ଜନନୀ

ସତେ ସହି କି ପାରେ ?

 

ଚିନ୍ତା, ଦୁଃଖ, କ୍ଳେଶ, ଘଉଡ଼ି,

ଦୂରେ ଧରା ସେ ପାରି,

ଶୁଆଇ ଦେଲା ସେ ସନ୍ତାନେ

ସ୍ନେହ-ଅଞ୍ଚଳ ପାରି ।

 

କେତେ ଦୁଃଖ ସତେ ସହୁଛ

ମରିଯାଏଁ ଧନରେ,

କହି ଆଉଁଷିଲେ ଶିରକୁ

ନିଶି କୋମଳ-କରେ ।

 

ପୂରୁବ ଗଗନ କୋଣରେ

କଳା ଓଢ଼ଣୀ ଟେକି,

ସିନ୍ଦୂର-ମଥାରେ ଚାହିଁଲା

ଉଷା-ସୁନ୍ଦରୀ ସେ କି ?

 

ଡାକିଲା କଜ୍ଜଳପାତିଆ

ଉଠ ପାହିଲା ରାତି ।

ଗରବେ ହସିଲା ପଦ୍ମିନୀ

ସରେ ଫୁଲାଇ ଛାତି ।

 

ନିଶିକୁ ସୁମରି ଢାଳଇ

ସତେ ନୟନ ଜଳ,

ପଲ୍ଲବ-କୋଣରୁ ଝରଇ

ବିନ୍ଦୁ ବିନ୍ଦୁ କାକର ।

 

ପାଣ୍ଡବ କୌରବ ଶିବିରେ

ଶଙ୍ଖ ବାଜିଲା ଖରେ,

ସାଜିଲା ସଇନୀ, କୁହାଟି

ବୀର କୃପାଣ ଧରେ ।

 

ଗଜ, ଅଶ୍ୱ, ରଥ ଚାଳନେ

ଧୂଳି ଅମ୍ବରେ ଉଡ଼ି,

ଦେବ ଦିବାକର ଗଗନେ

ସତେ ଗଲେ କି ବୁଡ଼ି !

 

ଦ୍ରୋଣ ଧନଞ୍ଜୟ ଭେଟିଲେ

କୁରୁକ୍ଷେତ୍ରରେ ଯାଇ,

ଗୁରୁ ଶିଷ୍ୟ ରଣ ପରୀକ୍ଷା

କେବେ ଦେଖା ନ ଥାଇ ।

 

ଶରମୂନେ ଆଗେ ପ୍ରଣମି

ଗୁରୁ-ଚରଣେ ବୀର,

ଛାଇଲେ ଆକାଶ-ମଣ୍ଡଳ

ପେଷି ଅସଂଖ୍ୟ ତୀର ।

 

କେ ଜିଣିବ, କେ ବା ହାରିବ

ମନେ ସନ୍ଦେହ ଲାଗେ,

ରଣ ଦେଖି ବେନି ପକ୍ଷରେ

ଘୋର ଆତଙ୍କ ଜାଗେ ।

 

ଏକ ଶର ଆନ କାଟଇ

ବେନି ବୀରେ ସମାନ,

ସେ ଦିନ ସମର ସରିଲା

ହେଉଁ ସନ୍ଧ୍ୟା-ଆଗମ ।

 

ଦ୍ୱିତୀୟ ଦିବସ ଶେଷରେ

ପାର୍ଥ ଶର-ଘାତରେ,

ମୂର୍ଚ୍ଛାଗତ ହେଲେ ଆଚାର୍ଯ୍ୟେ

ପଡ଼ିଗଲେ ରଥରେ ।

 

ଦେଖି ଦ୍ରୋଣ-ଗୁରୁ ଦୁର୍ଦ୍ଦଶା

ରଥ ଘେନି ସାରଥୀ,

ଫେରି ପଳାଇଲା, ଜୀବନେ

ବଞ୍ଚି ରହିଲେ ରଥୀ ।

 

ପାର୍ଥ ଜୟ ଜୟ ନାଦରେ

କମ୍ପେ ପାଣ୍ଡବ ଥାଟ,

କୁରୁ-ସେନା ଫେରି ପଳାନ୍ତି

କାହିଁ ନ ପାଇ ବାଟ ।

 

ଶେଷ ହେଲା ଯୁଦ୍ଧ ସେଦିନ

ଅସ୍ତ ହେଲେ ତପନ,

ରୁଷି ଦ୍ରୋଣ ଗୁରୁ କହିଲେ,

କାଲି ଦେଖିବ ରଣ ।

 

ଚକ୍ର-ବ୍ୟୂହ ମୁହିଁ ରଚିବି

ଆସ ମନ୍ତ୍ରଣା-ଘରେ ।

ସେ ବିଧି ମୁଁ ଫେଇ କହିବି

ମାତ୍ର ଅତି ଗୁପ୍ତରେ ।

 

ଦେଖିବି ସେ ବ୍ୟୂହ ଭେଦିବ

ବୀର ଅଛି କେ କାହିଁ,

କାଲି ମୁଁ ବଧିବି ପାଣ୍ଡବେ

ଏଥେଁ ଅନ୍ୟଥା ନାହିଁ ।

 

ନୀରବେ ଚଳିଲେ ସରବେ

ଗୁପ୍ତ ମନ୍ତ୍ରଣା-ଆଶେ,

ଦୁର୍ଯ୍ୟୋଧନ ଭଗ୍ନ-ହୃଦୟେ

ଏବେ ସାନ୍ତ୍ୱନା ଆସେ ।

 

ତୃତୀୟ ଦିବସ ରଣ ହୋଇଲା ପ୍ରବଳ,

ରେରେକାର କରି ଗରଜିଲେ ବେନି ଦଳ ।

ଚକ୍ର-ବ୍ୟୂହ ଗଢ଼ିଛନ୍ତି ଗୁରୁ ଦୋଣାଚାର୍ଯ୍ୟ,

ନିରେଖି ପାଣ୍ଡବ-ପକ୍ଷ ହୁଅନ୍ତି ଆଶ୍ଚର୍ଯ୍ୟ ।

 

ବ୍ୟୂହ-ଦ୍ୱାରେ ଜଗି ରହିଛନ୍ତି ଜୟଦ୍ରଥ,

ସେନାପତି ଭୀମ ଯାଇ ହେଲେ ଉପଗତ ।

ମହାବୀର ଜୟଦ୍ରଥ ବରଷଇ ଶର,

ଭୀମସେନ ତନୁସାରା ରକତ-ଜର୍ଜ୍ଜର ।

 

ହାରି ଶେଷେ ପଳାଇ ସେ ଯୁଧିଷ୍ଠିର ପାଶ

କହନ୍ତି ଆଜିର ରଣେ ନିଶ୍ଚେଁ ଯିବା ନାଶ ।

ଅର୍ଜ୍ଜୁନେ ଡକାଅ ବୋଲି ଯୁଧିଷ୍ଠିର କହନ୍ତି,

ଭୀମ କହେ ସଂଶପ୍ତକ ତୁଲେ ସେ ଲଢ଼ନ୍ତି ।

 

କିପରି ଆସିବେ ନାହିଁ ଉପାୟ ତ କିଛି,

ଏତେ କରି ଶେଷେ ହାରିଯିବା ସିନା ଛି ଛି ।

କି ବହିବି ଜୀବନରେ ମାୟା ମୋର ନାହିଁ

କଳଙ୍କ ରଖିବା ସିନା ଭବିଶ୍ୟତ ପାଇଁ ?

 

ବହୁ ଚେଷ୍ଟା କରି ମୁହିଁ ବାହୁଡ଼ିଲେ ହାରି,

ବ୍ୟୂହଭେଦ ଶକ୍ତି ଆଉ ନାହିଁ ତ କାହାରି ।

ଅକସ୍ମାତ୍‌ ଅଭିମନ୍ୟୁ ବୀର ଏ କାଳରେ

ତୀର ବେଗେ ପ୍ରବେଶିଲେ ଆସି ସେଠାବରେ ।

 

ପ୍ରଣତି ନିବେଦି ଜଣାଇଲେ ଯୋଡ଼ି କର

ବ୍ୟୂହ ଭେଦ ଲାଗି ଦେବ ! ଭାବନା ନ କର ।

ଭେଦ-ସୂତ୍ର ଜାଣିଛି ମୁଁ ନାହିଁ କିଛି ଭୟ

ଜ୍ୟେଷ୍ଠ-ତାତ ହେବେ ବ୍ୟୂହ ନିର୍ଗମେ ସହାୟ ।

 

ବଧି ଦ୍ରୋଣ ଗୁରୁ, ରଖିବି ମୁଁ କୁଳନାମ

କର ଆଶୀର୍ବାଦ ଦେବ, ପୂରୁ ମନ-ସ୍କାମ ।

ଧର୍ମ୍ମରାଜ କହିଲେ ରେ ଫାଲ୍ଗୁନୀ-ନନ୍ଦନ !

ଜାଣୁଛି ମୁଁ ତୁହି ଏହା ହୋଇବୁ ଭାଜନ ।

 

ତୁହି ରେ, ବଧିବୁ ଦ୍ରୋଣ-କର୍ଣ୍ଣ-ଜୟଦ୍ରଥେ,

ବିଳମ୍ବ ନ କରି ବାବୁ, ଯାଅ ଚଳି ରଥେ ।

ଆଶୀର୍ବାଦ କରେଁ ଜିଣି ଆସ ତୁ ସମର

ପିତୃ-ନାମ, କୁଳ-ନାମ ରଖରେ କୁମର !

 

ଭକ୍ତିଭରେ ନମି ଧର୍ମ୍ମରାଜ ପଦତଳେ

ବଜାଇ ବିଜୟ-ଶଙ୍ଖ ଅଭିମନ୍ୟୁ ଚଳେ ।

ପଛେ ପଛେ ଚାଲିଛନ୍ତି ଭୀମ ଆଦି ବୀରେ

ବ୍ୟୂହ ଭେଦି ଅଭିମନ୍ୟୁ ପ୍ରବେଶ ମଝିରେ ।

 

ବ୍ୟୂହ-ଦ୍ୱାରେ ଜୟଦ୍ରଥ ଓଗାଳଇ ପଥ,

ଭୀମ ଆଦି ସର୍ବେ ହେଲେ ଭଗ୍ନ-ମନୋରଥ ।

ଏକା ଅଭିମନ୍ୟୁ, ଚାରି ପାରୁଶରେ ଅରି

ଅସ୍ତ୍ର ପେଶି ବଧିଲା ସେ ଖଣ୍ଡ ଖଣ୍ଡ କରି ।

 

ଆତଙ୍କିତ ଦୁର୍ଯ୍ୟୋଧନ ଆସି ମିଳେ ରୋଷେ

ହାରି ପଳାଇଲା ଯୁଦ୍ଧ କରି ଅବଶେଷେ ।

ରଥରେ ପଡ଼ିଲେ କର୍ଣ୍ଣ ହୋଇ ଅଚେତନ

ପ୍ରମାଦ ଗଣିଲେ କୁରୁ-କୁଳ କ୍ଷୁନ୍ନମନ ।

 

ଦ୍ରୋଣ ଗୁରୁ ପାଶେ କାନ୍ଦି କହେ ଦୁର୍ଯ୍ୟୋଧନ

ବାଳକ ମାତର କରେ ଆଚମ୍ବିତ ରଣ ।

ଆଜି ଏ କରିବି ନିଶ୍ଚେଁ କୁରୁବଂଶ ଧ୍ୱଂସ

କେହି ରଥୀ ନ ପଶନ୍ତି ଭରସି ତା ପାଶ ।

 

ଭୁବନବିଖ୍ୟାତ ବୀର ତୁମ୍ଭେ ଥାଉ ଥାଉ

ଅର୍ଜ୍ଜୁନ ନନ୍ଦନ ବ୍ୟୂହେ ପଶି ସାଧେ ଦାଉ ।

ଦ୍ରୋଣାଚାର୍ଯ୍ୟ କହିଲେ ହେ ଶୁଣ ଦୁର୍ଯ୍ୟୋଧନ,

ନ୍ୟାୟଯୁଦ୍ଧେ ରଥୀ ନାହିଁ ଅଭିମନ୍ୟୁ ସମ ।

 

ଏକେ ସେ ଅର୍ଜ୍ଜୁନ ସୁତ, କୃର୍ଣ୍ଣ ଭାଗୀନେୟ

ବାଳକ ହେଲେ କି ହେବ, ସମରେ ଅଜେୟ ।

ସପ୍ତରଥୀ ମିଶି ତେବେ କରନ୍ତୁ ସମର

ଗୁରୁବାକ୍ୟେ କୁରୁପତି ଦିଅଇ ଉତ୍ତର ।

 

ନିତାନ୍ତ ଅନ୍ୟାୟ, ରଣନୀତି ଅସମ୍ମତ

ଏଭଳି ସମର ଲାଗି କିଏ ଦେବ ମତ ?

କୃପାଚାର୍ଯ୍ୟ ଶଲ୍ୟ ଆଦି ବିସ୍ମିତେ ଚାହିଁଲେ,

ଅକାର୍ଯ୍ୟ, ଅଧର୍ମ ବୋଲି ସମସ୍ତେ କହିଲେ ।

 

ଦୁର୍ଯ୍ୟୋଧନ କହେ ‘‘ନାହିଁ ଧର୍ମ୍ମର ବିଚାର,

ଯୁଦ୍ଧେ ଆତ୍ମରକ୍ଷା ଲାଗି ହୁଅ ତତପର ।

ରାଜା ମୁହିଁ ରାଜାଦେଶ କର ହେ ପାଳନ,

ଯାଅ ସପ୍ତରଥୀ ଏକାକାଳେ କର ରଣ ।’’

 

କି କରିବେ ରାଜଆଜ୍ଞା ପାଳିଲେ ସରବେ,

ସପ୍ତରଥୀ ବେଢ଼ିଗଲେ ରେରେକାର ରବେ ।

ସ୍ୱରଗୁଁ ଦେବ-ମଣ୍ଡଳି ରହିଥାନ୍ତି ଚାହିଁ

ଏଭଳି ଅନ୍ୟାୟ ଯୁଦ୍ଧ କାହିଁ ଦେଖା ନାହିଁ ।

 

ଶସ୍ତ୍ରେ ଶସ୍ତ୍ରେ ଛାଇଗଲା ଗଗନ-ମଣ୍ଡଳେ,

ସପ୍ତରଥୀ ଲଣ୍ଡଭଣ୍ଡ ବାଳକର ବଳେ,

କବଚ ପଡ଼ଇ ଖସି, କଟିଗଲା ଧନୁ

ରକ୍ତଜବା ସରି ଦିଶେ ଅଭିମନ୍ୟୁ ତନୁ ।

 

କେଉଁ ରଥୀ କାଟେ ଅଶ୍ୱ, ଚକ୍ର କେ କାଟଇ,

ରଥୁ ଖସି ଅଭିମନ୍ୟୁ ଯୁଝେ ତଳେ ଥାଇ ।

ଅବଶେଷେ ଅସ୍ତ୍ରହୀନ ହେଲା ବୀରବର

କର ଚରଣରେ ଦପେ କରଇ ପ୍ରହାର ।

 

ନାହିଁ ସଙ୍ଗୀ, ନାହିଁ ସାଥୀ, ନାହିଁ କେ ପଛକୁ,

ସପ୍ତରଥୀ ଘେରି ମାରୁଛନ୍ତି ବାଳକକୁ ।

କେତେ ଆଉ ସହିବ ସେ ? ଭୂତଳେ ପଡ଼ିଲା,

ଖଣ୍ଡ ଖଣ୍ଡ ଗଣ୍ଡିମୁଣ୍ଡ ରକତେ ଗଡ଼ିଲା ।

 

ଗଗନେ, ଭୁବନେ ଶୁଭେ କ୍ରନ୍ଦନର ରୋଳ

ସାପ ଦୁର୍ଯ୍ୟୋଧନ ହେଲା ଆନନ୍ଦରେ ଭୋଳ ।

ଅକାଳେ କୁସୁମ-କଢ଼ି ପଡ଼ିଲା ଝାଉଁଳି

ବୀର-ସୁତ ବୀର-ରକ୍ତେ ତନୁ ଦେଲା ଢାଳି ।

 

ମାଟି-ପିଣ୍ଡ ରଣାଙ୍ଗନେ, ଭୂମିରେ ଲୋଟଇ

ଅଭିମନ୍ୟୁ ଆତ୍ମା ଚନ୍ଦ୍ର-ଲୋକରେ ଚଳଇ ।

କାନ୍ଦିଲା ଉତ୍ତରା ଜେମା ଶିରେ କର ମାରି,

ପାଣ୍ଡବ-ଶିବିରେ ହାହାକାର ଗଲା ଭରି ।

 

ଉତ୍ତରା ନୟନ ଭରି ଝରେ ନୀର-ଧାର,

ରୋହିଣୀ-ପୁରେ ଉଛୁଳେ ହସ-ପାରାବାର ।

ଜଣେ କାନ୍ଦେ, ଆନ ହସେ, ବିଧାତା-ଭିଆଣ

ଷୋଳବର୍ଷ ଶାପ-ଭୋଗ ହେଲା ସମାପନ ।

 

ଚନ୍ଦ୍ରଲୋକେ ଆଜି ପୁଣି ଅପୂର୍ବ-ମିଳନ ।

ଫେରିଛି ବସନ୍ତ ତୁଲେ ମଳୟ ପବନ ।

 

ପ୍ରଭାତ

ଆଲୋକରେ ନିଉଁଛାଳି

ନୀରବ ଚରଣ ଚାଳି

କେ ଆସି ଏକାକୀ

ଡାକ ଦେଲା ସୁପ୍ତିର ଦୁଆରେ

ନିଶୀଥର ତନ୍ଦ୍ରା-ଭରା      ସ୍ୱପ୍ନ ଗଲା ଫେରି

ଆଣିଥିଲା ଗୋପନ-ସମ୍ଭାରେ ।

 

ରକତ ଓଢ଼ଣୀ ତଳେ

ତୁନି ତୁନି ଥରେ ଥରେ

କାହା ନାମ ଧରି -

ଚାଲିଗଲା ଡାକି ଡାକି ପଥେ,

ନିଖିଳର ନିଦ୍ରାହରା            ଆଖି ଝଲସାଇ

ଆସିଲା କେ ଚଢ଼ି ସ୍ୱର୍ଣ୍ଣ-ରଥେ ।

 

ଚିହ୍ନିଲି, ଛବିଳ ବେଶେ

ଏହି ସେ ପ୍ରଭାତ ଆସେ

ହାତେ ବୀଣା ତା’ର

କଣ୍ଠେ ଦୋଳେ ସଜ ପଦ୍ମ-ହାର,

ମନ୍ତ୍ର ପଢ଼ି ମୁକ୍ତ-କରେ      ଦେଲା ପରା ମେଲି

ଐଶ୍ୱର୍ଯ୍ୟର ଗୁପ୍ତ ଗନ୍ତାଘର ।

 

ଡାକିଗଲା କେ ଦେବୀ ସେ

ଚୌଦିଗ ମହକି ବାସେ

ଫୁଲର ଆତରେ -

ଭରା ପରା ସାରା ଅଙ୍ଗ ତାର,

ଆଲୋକର ବର୍ଣ୍ଣେ ବର୍ଣ୍ଣେ      ଜାଗେ ଚଞ୍ଚଳତା

ଲୋମାଞ୍ଚିତ ତନୁ ତୃଣ-ଦଳ ।

 

କାହାର ପ୍ରାର୍ଥନା ଶୁଣି

ଅବା ଦୈବ-ବାଣୀ ମାନି

ଆସିଲା ଧରାରେ -

ରୂପେ, ରସେ, ବର୍ଣ୍ଣେ, ଗନ୍ଧେ ପୂରି

ମର୍ତ୍ତ୍ୟର ଏ ଧୂଳିକଣା      ନାଚେ ଉତ୍ତରଳେ

ଅନ୍ଧକାର ଅବସାଦ ଭୁଲି ।

 

ରହସ୍ୟ-ସାଗରି-ତଳ

ଆନନ୍ଦେ ଉଥଳ

ଊର୍ମି ଟଳ-ମଳ ।

ନୀରବ, ନିଶ୍ଚଳ ତରୁଲତା

ମୌନବ୍ରତ ଭଙ୍ଗ କରି      ସାଧନା ଶେଷରେ

ମର୍ମ୍ମରି କହିଲା କେତେ କଥା ।

 

ନିଶିର ତିମିର ବକ୍ଷେ

ହାଣିଲା କେ ଶର ଲକ୍ଷେ

ଶକ୍ତିଧର ବୀର

ଛିନ୍ନ ହୋଲା ଶୁପ୍ତିର ମସ୍ତକ

ବୀର-କର-ଅସ୍ତ୍ରର ତେଜରେ      ଝଲକି ଉଠିଲା

ବିଶ୍ୱଭରା ସତ୍ୟର ଆଲୋକ ।

 

ବୀଣା ବୀଣାପାଣି କରେ

ବାଜିଲା ମୃଦୁ-ଝଙ୍କାରେ

ମର-ନର ଘରେ

ଶିଶୁ-କଣ୍ଠେ ଶୁଭିଲା ଚହଳ

ଗୁଞ୍ଜରଣେ ଚମକାଏ ସର,      ପାଗଳ ଭ୍ରମର

ହସ ହସ ଫୁଲ ଶତଦଳ ।

 

ମାୟା, ମୋହ, ଆଶକ୍ତି, ଲାଳସା

ଘେନି ଏ ମନୁଷ୍ୟ,

ମରର ମାନବ ହୋଇ

ଏ ଜଞ୍ଜାଳୁ ବର୍ତ୍ତି ନାହିଁ

ହେଉ ସେ କୁବେର ହେଉ ନିଃସ୍ୱ

କୋଟିକେ ଗୋଟିକେ ଧାରା- ବ୍ୟତିକ୍ରମ

ଦେଖେ ସିନା ବିଶ୍ୱ ।

 

ବିଶ୍ୱଧାରା ଲଙ୍ଗି ଯେହୁ ଆସେ,-

ସେ ଅତିମାନବ;

ମର୍ତ୍ତ୍ୟରେ ସିନା ଜନମ

ନର ଅଙ୍ଗେ ଦେବୋପମ

ଗଣ-ପତି-ପଣେ ସେ ସମ୍ଭବ ।

ଅଙ୍ଗୁଳି-ନିର୍ଦ୍ଦେଶ ତାର ଘେନି ଜନ

ମଣଇଁ ଗୌରବ ।

 

ଧରାରେ ଏ ମରୁ କଳେବର

ଲଭି କେହି ନାହିଁ

ମରଣ-କାଉଁରୀ-ଦଣ୍ଡ

ଛୁଇଁବ ନାହିଁ ଯା ମୁଣ୍ଡ,

ଜୀବେ ଥିବ ଚିରଦିନ ପାଇଁ,

ମାଟିର ମନୁଷ୍ୟ ହୋଇ, ମାଟିରେ ସେ

ନ ମିଶେ କି କାହିଁ ?

 

ମରେ ନର, ମରିବେ ସମସ୍ତେ

ଆଜି ଅବା କାଲି,

କାହୁଁ ଆସି ଯାଏ କାହିଁ,

ଜୀବ-ଶକ୍ତି ତେଜି ଯାଇ

ମାଟି-ପିଣ୍ଡ ପଡ଼ି ରହେ ଖାଲି,

ତା ଚିତା, କବର ପରେ କାଳ ହସି

ଖେଳେ ଧୂଧ ବାଲି ।

 

ରହେ କିନ୍ତୁ କରଣୀ ତାହାର,

ଯେ ଚିର ଅମର,

କାଳ ହାରେ ପାଶେ ତାର-

ପରାଜୟ, ମରଣର

ନୁହେଁ ସେ ତ ମନୁଷ୍ୟ ମାଟିର,

ରକ୍ତ ମାଂସ ତଳେ ତାର, ଥାଏ ସାଞ୍ଜୁ

ତିଆର ଲୁହାର ।

 

ଲୁହାର ମଣିଷ ବୋଲି କହେ ତାକୁ

ଜନତା ଜଗତେ,

ନାହିଁ ମାୟା, ନାହିଁ ମୋହ

ନାହିଁ ତା ମମତା ସ୍ନେହ,

କଠୋର ସେ ଲୁହା ସରି ସତେ !

ଅନୁରୋଧ, ଉପରୋଧ ନାହିଁ ତାର-

ସତ୍ୟର ଅଗ୍ରତେ ।

 

ଅଷ୍ଟାଦଶ ପଞ୍ଚସ୍ତରୀ ସାଲ

ମାସ ଅକ୍ଟୋବର

ଶେଷ ଦିନ ସେ ଜନମ,

ପିତା ମାତା ଶ୍ରଦ୍ଧା-ନାମ,

ରଖିଥିଲେ ବଲ୍ଲଭ ପଟେଲ,

ରାଷ୍ଟ୍ରପିତା ବାଛି ବାଛି, ଦିନେ ତାଙ୍କୁ

ଡାକିଲେ ‘‘ସର୍ଦ୍ଦାର ।’’

 

ଜଗତରେ ଜାଣିଥିଲେ ସେ ତ

ଜନ୍ମମାଟି ସାର ।

ନାହିଁ ବନ୍ଧୁ, ନାହିଁ ଭାତା,

ନାହିଁ ମର-ଦୁର୍ବଳତା,

ନିର୍ମ୍ମମ ନ୍ୟାୟର ଦଣ୍ଡଧର,

ମାଟିର ମନୁଷ୍ୟ ନୁହେଁ, ତେଣୁ ସିନା

ମରି ସେ ଅମର !

 

ବନ୍ଧା ହାତେ ଅନ୍ଧାର ନିଶୀଥେ

ବରି କାରା-କକ୍ଷ,

ଜନନୀର, ଜନତାର

ମୁକତି ମନ୍ତ୍ରର

ଥିଲା ଏକା ଜୀବନର ଲକ୍ଷ୍ୟ ।

ଶୋଷକ ଶାସକ ଗୁଳି, ଗୁଳା ମୁଖେ

ଦମ୍ଭ ଥିଲା ବକ୍ଷ ।

 

ଜନ୍ମ ନୁହେଁ ଜନର ଗୌରବ

ସେ ବିଚାର କାହିଁ ?

ଜୀବନରେ କର୍ମ୍ମ ସାର

କର୍ମ୍ମେ ମାନବ ଅମର,

କର୍ମ୍ମବଳେ ହେ ବଲ୍ଲଭ ଭାଇ,

ନିଜେ ଜୀଇ କହିଦେଲ-ନୁହେଁ ଶୁପ୍ତ-

ଏ ଜନମ-ଭୂଇଁ ।

 

ଧରି ନାହିଁ କରେ ଅସ୍ତ୍ର ଶସ୍ତ୍ର,

କର୍ମ- ଯୋଗୀବର,

ଅହିଂସାର ବର୍ମ୍ମ ପିନ୍ଧି

ଅରାତିର ମର୍ମ-ସନ୍ଧି

ଆକୁଳେ କରିଲ ଥରହର,

ହାତରେ ନ ମାରି ଭାତେ, ମାରିବାର

ଦେଖିଲା ସଂସାର ।

 

କିନ୍ତୁ ଏ କି ହେଲା ଅକାଳରେ

ଅଶନି ଗରଜେ !

ଉଦୟ, ଆରକ୍ତ ରଚି

ଶୀତ ମେଘେ ମ୍ଲାନ ଛବି

କଋଣ ରାଗିଣୀ, ଅବା ବାଜେ

ବନାନ୍ତର ଧ୍ୟାନ ଭାଙ୍ଗି ଦିଶେ ଦିଶେ

କୁହେଳି ସରଜେ ।

 

ଊନବିଂଶ ପଞ୍ଚାଶତ ସନ

ମାସ ଡିସେମ୍ବର

ପଞ୍ଚଦଶ ଦିବସରେ

ମଉଳିଲା ପଦ୍ମ ସରେ

ଲଭି ଅବା ଶୀତର କାକର !

ଗଗନେ, ପବନେ ଶୁଭେ ହାହାରବ-

ନାହାନ୍ତି ସର୍ଦ୍ଦାର ।

 

ଭାରତ ନବୀନ ରାଷ୍ଟ୍ର ସୃଷ୍ଟି-

ପଥେ ଆଗୁସାର

ଯେ ଅଙ୍କୁର ଗଲ ଥାପି

ସେ ନୁହେ ତରୁ ଅଦ୍ୟାପି,

ଧରି ଧରି ଆସେ ବା ବକୁଳ

ଫଳ-ମୁଖୀ ହେବା ପୂର୍ବେ କିଏ ଆଉ

ସମ୍ଭାଳିବ ମୂଳ ?

 

ସରି ନାହିଁ ଭଙ୍ଗା ଘର ଯୋଡ଼ା,

ମାଟି ଦଳୁଥିଲ,

ଚାଲିଗଲ କାରିଗର ।

କାହିଁ ଆଉ ବାଜିକର ?

ନ ଭାବିଲ ଅକାଳ ଏକାଳ

ସହି ଝଡ଼, ଝଞ୍ଜା, ବର୍ଷା ତୁମେ ପରା

ଶୁଭ ଦେଇ ଥିଲ ?

 

ତୁମେ ଏକା ଲୁହାର ମଣିଷ,-

କହିବେ ସରବେ,

ଇତିହାସ ପରମ୍ପରା-

ଗାଉଥିବ ଯୁଗସାରା,

ଫୁଲିଯିବ ଭବିଷ୍ୟ ଗରବେ ।

ପ୍ରଶସ୍ତି ଗାଇଲେ ଗାଉ ବିଶ୍ୱସାରା

ନ ଗାଇବି କେବେ ।

 

ଋଷି ବୋଲି ମାନୁଛି ତୁମ୍ଭଙ୍କୁ,

ପଦେ ପ୍ରଣମୁଛି;

କିନ୍ତୁ ହେ କଳିର ଭୀଷ୍ମ,

ନ ହେବାଯାଏ ମୁଁ ଭସ

ନିର୍ମ୍ମମ ବୋଲି ମୁଁ କହୁଅଛି

ଦରଗଢ଼ା ଏ ମନ୍ଦିର-ବିନ୍ଧାଣୀ କେ

ନ ଗଲ ତ ବାଛି !

 

ଲୁଚି ଯେବେ ରହିବ ସ୍ୱରଗେ

ଶୁଣ ହେ ମିନତି :-

ବାଞ୍ଛା ଯାହା ଥିଲା ତବ

ଅସମ୍ପୂର୍ଣ୍ଣ ନ ରହିବ,

ଜନ-ମନେ ଦିଅ ସେ ଶକତି

ସର୍ଦ୍ଦାର ବଲ୍ଲଭ ଭାଇ-ମୃତ୍ୟଞ୍ଜୟୀ-

ଘୋଷ୍ୱ ବିଶ୍ୱ ନିତି ।

 

ଝରା କଢ଼ୀ

ଚିତ୍ରୋତ୍ପଳାର ତୀର,

ବଇଶାଖ ମାସ, ଖରା ପରଚଣ୍ଡ,

ଶୁଖିଯାଇ ଦେବୀଦ୍ୱାର ତଳ ଗଣ୍ଡ,

ବାଲି ଦିଶିଲାଣି            ପାଣି ଆଣ୍ଠୁଆଣି

ସୁଅ ଚଳେ ଅତି ଧୀର ।

 

ଦେଖିଲେ ଲାଗୁଛି ଡର,

ନଈ ବାଲି ସତେ ମାରୁଛି ନିଃଶ୍ୱାସ

ବହେ ହୂ ହୂ ଧୂ ଧୂ ହତାଶ ବତାସ,

ମେଘ ପାଦ ଛୁଇଁ            ଜଳ ବିନ୍ଦୁ ପାଇଁ

ବିକଳ କେ ଦେଖେ ତାର ?

 

ନଇଁ ଆସିଲାଣି ଖରା,

ପଶ୍ଚିମ ମେଘରେ ବୁଡ଼ିଯାଏ ରବି,

ଛାତି ଚମକଇ ଦେଖି ଏ କି ଛବି,

ନାଲି ମେଘ ନୁହେଁ            ଆକାଶର ମୁହେଁ

ନିଆଁ ଜଳୁଅଛି ପରା !

 

ଧ୍ୱଂସ ହେବ କିଏ ଧରା,

ଗଲା ଦୁଇ ସନ ବାର ନ ବରଷେ,

ତରୁ ଶିରେ ଶିରେ ମଡ଼କ କି ହସେ !

ଫଳକେ ପଚାରେ            ଫୁଲ କେ ପଚାରେ

ଗଛ ତ ପତର-ଝଡ଼ା !

 

ଦେବୀଦ୍ୱାର ପରବତ-

ଟାଙ୍ଗରା ତାଳୁରୁ ଧୂଆଁ ବାହାରୁଛି,

ଅନ୍ତର ଭିତରେ ନିଆଁ କୁହୁଳୁଛି,

ତାତୁଛି ପବନ            ବାଟୋଇ ଜୀବନ

ଚାଲିବାକୁ ଅଣାୟତ୍ତ ।

 

ରାମଚଣ୍ଡୀ ଠାକୁରାଣୀ

କ୍ଷୀଣଧାର ନଈ-ବାଲି ଚାହିଁ ଚାହିଁ

ଆଖିରେ ସତେ କି ପତା ପଡ଼ୁନାହିଁ !

ଝାଞ୍ଜି ପବନରେ            ମୁକୁଳା ଦୁଆରେ

ସେବକ ବାଣ୍ଟୁଛି ପାଣି ।

 

ଚିଲ ଶାରଗୁଣା ପଲ

ଦୂର ଆକାଶରେ ଚକି ମାରୁଛନ୍ତି,

କେବେ ଥରେ ଥରେ ତଳେ ଖସୁଛନ୍ତି

ପଶୁ ପକ୍ଷୀ ନର-            ଶବ ମାଳ ମାଳ

ଲୋଟୁଛନ୍ତି ଭୂମି ତଳ ।

 

ଦୁଇଟି ବରଷ ଗଲା

ମେଘରେ ଶୁଭୁଛି ଶୁଖିଲା ଚଡ଼କ,

ଦେଶ ଚାରିଆଡ଼େ ପୂରିଛି ମଡ଼କ

ଟୋପାଏ ବରଷା            ବିନା ଉଡ଼େ ହଂସା,

କିଆରୀ-ଫସଲ ମଲା ।

 

ଧାନ କଥା ତେଣେ ଥାଉ

ଖୁଦ, କାଞ୍ଜିପାଣି, କଳମ୍ବ, ଚାକୁଣ୍ଡା

ପେଟ ପାଳିବାକୁ ନ ମିଳଇ କୁଣ୍ଡା ।

ଢୋକେ - ପେଜ ପାଇଁ      ମାଆ ବିକେ ନେଇ

ଛୁଆ, ମୁହଁ ଚାହୁଁ ଚାହୁଁ !

 

ଗାଁଆ ଛାଡ଼ି ଲୋକେ

ପଳାଇ ଗଲେଣି

ଘର ପଡ଼ିଅଛି ପଦା,

ଖଳା-ମେଢ଼ି ମୂଳେ

ଧାନ ବଦଳରେ

ମୁରୁଦାର ମଢ଼ ଗଦା ।୧।

 

ଅମାର ଖମାର

ଖଣି, ମୁଣି ଝାଡ଼ି

କଉଡ଼ି ଲୋଭରେ ସାଉ

ଚିକି ତ ସାରିଛି

ଅଗାଡ଼ି ସହିତେ

ଧାନ ମୁଣ୍ଡି ନାହିଁ ଆଉ ।୨।

 

ଏସନ କ୍ଷେତରେ

ଦୂବ ନ ଗଜୁରେ

କାହୁଁ ହେବ ରବି, ଧାନ ?

ଟଙ୍କା ମୁଠି କରି

ପେଟ ଲାଗି ସାଉ

ଛାଡ଼ି ପଳାଇଲା ଥାନ ।୩।

 

ରହିଛି ମାତର

କୁଡ଼ିଆ ଯାହାର

ସବୁ ଦିନେ ତାର ଏକା,

ପାଞ୍ଚଶ ଘରରେ

ପାଞ୍ଚୋଟି ମୂଲିଆ

କେଉଁ ମନୁଷ୍ୟରେ ଲେଖା ! ।୪।

 

ପାଥପୁର ଗାଆଁ

ହାଟୁଆ ସାହିରେ

ଜଗୁଥିଲା ଗୋଠେ ଗାଈ

କଳା ମଚ ମଚ

ଜୁଆନ କେଶବା

ମାସେ ହେଲା ଆଉ ନାହିଁ ।୫।

 

ସକାଳ ପହରୁ

ଗୋଠ ଘେନି ଯାଏ

ପଖାଳ ତୋରାଣି ଖାଇ,

ଗୋଠ ବାହୁଡ଼ାଣି

ସରାଗେ ଘରଣୀ

ତତଲା ସଜାଡ଼ି ଥାଇ ।୬।

 

ବେଳ ବୁଡ଼ୁଥାଏ

ଟିପା ବାଜୁଥାଏ

ଓଲେଇ ଗାଈର ବେକେ

ବଇଁଶୀ ବଜାଇ

ବାହୁଡ଼େ କେଶବା

ଆନନ୍ଦ ଆଉ କେ ଦେଖେ ? ।୭।

 

ଧୂଳି-ଖେଳ ଛାଡ଼ି

ଦଉଡ଼େ ଭମରା

‘‘ବାପା, ବାପା’’ ବୋଲି ଡାକି

ସତେ କେତେ କାଳୁ

ଦେଖି ନାହିଁ ପରା

ବାପ ଅଣ୍ଟା ଧରେ ଜାକି ।୮।

 

କୁଡ଼ିଆ ଦୁଆରେ

କେଶବା ଘରଣୀ

ତାଟି ଫାଳ ମେଲା କରି

କାଖେଇ ଝିଅକୁ

‘‘ହେଇ ବାପା ଆସେ’’

ହସି କହୁଥାଏ ଠାରି ।୯।

 

ଗୋଟି ଗୋଟି ଗାଈ

ମରି ହଜି ଗଲେ

ଚରା ନାହିଁ ବିଲମାଳେ,

କୁଳୁଚି କୁଣ୍ଡା ତ

ମଣିଷ ଖାଇଲେ

ଗୋରୁ କଥା କିଏ ଭାଳେ ? ।୧୦।

 

ଗୋଠ ପଦା ଦେଖି

କେଶବା ଆଖିରୁ

ଲୁହ ଝରେ ଝର ଝର,

ଢୋକ ପାଣି ବିନା

ଘରେ ତା ପିଲାଏ

ହେଲେ ଅତି କଲବଲ ।୧୧।

 

କହି ନ ପାରିଲା

ଆଉ ସେ ବିକଳ

ଭୋକେ ପୁଣି ଟଳମଳ,

ତୋଳା ଘର ଭାଙ୍ଗି

ଚଳିଲା ଦିନେ ସେ

କୁଟୁମ୍ବରେ କରି ପର ।୧୨।

 

ଅଥଳେ ଭାସିଲେ

କେଶବାର ଘରେ

ଘରଣୀ ଦୁଇଟି ପିଲା,

ବାର ବରଷର

ବାଳୁତ ଭମରା

କୋଡ଼-ପୋଛା ଝିଅ ହୀରା ।୧୩।

 

ଭମରା ତଳରେ

ତିନି ପିଲା ମରି

ଏଇ ସୁନା-ନାକୀ ଝିଅ

ଦୁଇ ବରଷର

ଚିକ୍କଣ ଚାକ୍କଣ

ରସାଣିଲା ପରି ଦିହ ।୧୪।

 

ଓଳିଏ ଖୁଆଇ

ପିଲାଙ୍କୁ ଭଣ୍ଡାଇ

କଂସା, ଗିନା, ଖଡ଼ୁ ବାହି

ସବୁ ସରିଲାଣି

ଭମରା ମାଆାର,

ଆଉ ବୁଦ୍ଧି ବାଟ ନାହିଁ ।୧୫।

 

ପେଟ ସୁଖ ନାହିଁ,

ମୁଣ୍ଡ ବଥାଉଛି,

କହି ଠକି କେତେ ଥର

ନିଜେ ସେ ନ ଖାଇ

ମୁଟି ଶାଗ, ଖୁଦ

ବାଢ଼ି ଦେଇଛି ଆହାର ।୧୬।

 

କହନ୍ତି ସଭିଏଁ

ଦୁନିଆରେ ଏକା

ନିଦ ଦୁଃଖ, ଶୋକ-ହରା

ଫଟା କପାଳରେ

ହଟହଟା ପାଇଁ

ଓଲଟି ଗଲା କି ଧାରା ? ।୧୭।

 

କାଳ-ରାତି ସାରା

ଭମରା ମାଆର

ଦକ ଦକ ଛାତି ଭାଳେ

ସତେ କି ଜୀଇବେ

ତା ହୀରା, ଭମରା

ଆକାଶ ପଡ଼ଇ ତଳେ ।୧୮।

 

ଝରି ଲୁହ ଧାର

ଖସଡ଼ା ହୋଇଛି

ଅବା ତା ଆଖି-ଦୁଆର,

ନିଦ-ରାଣୀ ଆସି

ଫେରି ଫେରି ଯାଏ

ପାଦ ଖସିଯାଏ ତାର ।୧୯।

 

ଖେଳ ବୁଲ ଛାଡ଼ି

ବାଳୁତ ଭମରା

ଦୁଃଖ କଥା ବୁଝିଲାଣି,

ହୀରା ମୁହଁ ଚାହିଁ

ସମ୍ଭାଳି ନ ପାରେ

ଆଖି କୋଣେ ତାର ପାଣି ।୨୦।

 

ସକାଳୁ ଉଠି ସେ

ଆହାର ଆଶାରେ

ବାହାରି ପଡ଼ିଲା ଘରୁ,

କାହିଁ ନ ମିଳିଲା

ପୋଷେ ହେଲେ ଖୁଦ

ଫେରିଲା ବାର ଦୁଆରୁ ।୨୧।

 

ଆଖି ଛଳ ଛଳ,

ପାଦେ ନାହିଁ ବଳ,

ମୁଖେ ନାହିଁ ପଦେ, କଥା,

ଭଙ୍ଗା କୁଡ଼ିଆକୁ

ସଞ୍ଜେ ସେ ଫେରିଲା

ନଇ ପଡ଼ିଥାଏ ମଥା ।୨୨।

 

( ୨୩ )

ତହିଁ ଆରଦିନ ଘେନି ଦୁର୍ବଳ ଚରଣ

ଚାଲିଛି ଭମରା କରି ଖାଦ୍ୟ-ଅନ୍ୱେଷଣ,

ଜଳୁଛି ତା ପେଟ, ଶୁଖି ଯାଉଛି ତା କଣ୍ଠ,

ଜିଭକୁ ବୁଲାଇ ଥରେ ଥରେ ଚାଟେ ଓଠ ।

ପେଟକୁ ତ ନାହିଁ,

ଭିକ ମିଳେ କାହିଁ ?

ଯାହାକୁ ମାଗିଲେ ସେ ତ ପୋତି ଦିଏ ମଥା,

ବଳ ପାଉନାହିଁ ପଦେ କହିବାକୁ କଥା ।

 

( ୨୪ )

ଚାଲିଛି ଭମରା ତାର ବାଟ ସରୁ ନାହିଁ

ସାତ ଗାଁଆ ବୁଲିଲାଣି ପୋଷେ ଭିକ ପାଇଁ,

କେତେ ପୁଅ ଝିଅ କେତେ ବୋହୂ, କେତେ ମାଆ,

ଦେହରେ କେବଳ ଚିରା କନା ଧଡ଼ି ସାହା,

ଦିଶୁଛି କଙ୍କାଳ

ହାଡ଼ ମାଳ ମାଳ

ପଶି ଯାଇଅଛି ଆଖି କୋରଡ଼ ଭିତରେ

ମନୁଷ୍ୟ ବଦଳେ ଗାଆଁ ପୂରିଛି ପ୍ରେତରେ ।

 

( ୨୫ )

ଭୋକେ ଶୋଷେ ଫାଟେ ହିୟା ଉଡ଼ିଯାଏ ପ୍ରାଣ,

ବାଳୁତ ମୁଖୁ ବାହାରେ ‘‘ରଖ ଭଗବାନ !

ମୁଁ ପଛେ ମରିବି ବଞ୍ଚିଥାଉ ମୋର ମାଆ

ଦିନେ ହେଲେ ଦୁଃଖ କଷ୍ଟ ସହି ନାହିଁ ଆହା ।

କୁନୀ ଝିଅ ହୀରା

ଦରମଲା ପରା’’

କାନ ଭାଇଁ ଭାଇଁ ହେଲା ଛାତି ଧଡ଼ ଧଡ଼,

ପଡ଼ିଲା ସେ ବସି, ଦିଶେ ସଂସାର ଅନ୍ଧାର ।

 

( ୨୬ )

ଏତିକି ବେଳରେ ଜଣେ ନାରୀ କେ ଚାହିଁଲା

ଥକା ଭମରାକୁ ଆସି ଆଦରେ କହିଲା ।

‘‘ଚାଲ ବାପା, ମୋ ଘରକୁ ନେବି ଧରି ଧରି

ମୋ ଭାତ ମୁଁ ଖାଇ ନାହିଁ, ଖାଅ ପେଟ ଭରି’’ ।

ବହୁଦିନ ପରେ

ପଡ଼ିଲା କାନରେ

ଭାତ ମୁଠିକର ନାଆଁ, ଆନନ୍ଦ ନ ସହେ,

ଉଠିଲା ଭମରା ‘‘ଚାଲ ମାଆ’’ ବୋଲି କହେ ।

 

( ୨୭ )

ଆପେ ନ ଖାଇ ସେ ପାରି ଦେଲା ଚିରାକାନି,

କହେ ଏକା ନୁହେଁ ମୁହିଁ, ଘରେ ତିନି ପ୍ରାଣୀ

ଭୋକିଲା ମୋ ମାଆ, ଭୋକ-ଆତୁରା ଭଉଣୀ

କାନିରେ ମୋ ଢାଳି ଦିଅ, ଯିବି ଘରେ ଘେନି

ପାଶେ ଆସି ନାରୀ

କହେ ଦୁଃଖ କରି

ତିନି ଜଣ ଲାଗି ଭାତ ନାହିଁତ ରେ ବାବୁ,

ଜଣକ ପେଟକୁ ହେବ ଯାହା ଅଛି ସବୁ ।

 

( ୨୮ )

ଭମରା କହିଲା, ମାଆ ଯାହା ତୁମେ ଦେବ

ତିନିହେଁ ଖାଇବୁଁ ବାଣ୍ଟି, ଯଥେଷ୍ଟ ସେ ହେବ

ଭୋକରେ ମାଆ ଭଉଣୀ ସଢ଼ୁଥିବେ ଘରେ ?

ଏକା ମୁଁ ଖାଇବି ଭାତ କହ କି ସୁଖରେ ?

ଚାରି ଗିନା ଭାତ,

ସେହି ମୋ ପର୍ବତ

ଏଡ଼େ ଦୟାବତୀ ମାଆ ଥିଲ ତୁମ୍ଭେ କାହିଁ ।

ସାତ ଖଣ୍ଡ ଗାଁଆରେ ମୋ ଆଖି ଦେଖି ନାହିଁ ।

 

( ୨୯ )

ଆପଣାର ପେଟ ପାଇଁ

ଆଉ ଭାତଟିଏ ନାହିଁ

ହାଣ୍ଡି ପୋଛି ଢାଳିଲେ ରମଣୀ,

ସତେ ଶତ ସିଂହବଳ-

ପାଇ ଉଠିଲା ଭ୍ରମର,

ଘରେ ଚଳେ ଗଣ୍ଠି କରି କାନି ।

 

( ୩୦ )

ବାହୁଡ଼ଇ ଆନନ୍ଦରେ

ଘରକୁ, ବାଟ ନ ସରେ

କେତେ ପଥ ଆସିଛୁ କେଜାଣି,

ଭାତ ମୁଠିକର ଲାଗି

ଗାଁଆ ଗାଁଆ ମାଗି ମାଗି

ପିଇ ନାହିଁ ଢୋକେ ହେଲେ ପାଣି ।

 

( ୩୧ )

ଦେହେ ଆଉ ନାହିଁ ବଳ,

ପାଦ ପଡ଼େ ଟଳମଳ,

ପଶ୍ଚିମକୁ ରବି ଢଳି ଚଳେ,

ଆଉ ଚାଲି ନ ପାରଇ

ଘଡ଼ିଏ ବିଶ୍ରାମ ପାଇଁ

ଥକା ମାରି ବସେ ଗଛ ତଳେ ।

 

( ୩୨ )

କ୍ଷୁଧାରେ ଅତି କାତର

ଆଖି ଆଗେ ଭାତ ତାର

ପାଟିକୁ ନେବାକୁ ହାତ ଥରେ,

ଛି ଛି ଖାଇଦେବି ମୁହିଁ

ମାଆ ମୋର ଖାଇ ନାହିଁ

ଭଉଣୀଟି ଚାହିଁଥିବ ଘରେ ।

 

( ୩୩ )

ଲୋଭ ସମ୍ଭାଳି ନ ପାରି

ଖାଉ ଖାଉ ଯିବ ସରି,

ମାଆ ଭଉଣୀଙ୍କି ଦେବି କିସ ?

ଏତେ ଭାବି କାନି ପାରି

ଭୋକ ଚାପି, ମୁହଁ ମାଡ଼ି

ଶୋଇଲା ସେ ଭାତ ମଣି ବିଷ ।

 

( ୩୪ )

ଅସ୍ତ ଗଲେ ଦିନମଣି

ଅନ୍ଧାର ଆସି ହେଲାଣି

ଭମରାର ନିଦ ନ ଭାଜଇ,

ପହରେ ହୋଇଲା ରାତି

ଡରୁ ନାହିଁ ତାର ଛାତି

ବଣେ ଏକା ପଡ଼ିଛି ଘୁମାଇ ।

 

( ୩୫ )

ନିଶି ପ୍ରଭାତ ହୋଇଲା,

କଜଳପାତି ଡାକିଲା,

ଭାତ ଗଣ୍ଠି ଖୁଣ୍ଟି ଖାଏ କାଉ,

ମାଆ ହେଉଥିବ ଧନ୍ଦି

ଦୁଃଖିନୀ ଅଞ୍ଚଳ-ନିଧି

କେବେ ତୁ’ରେ ବାହୁଡ଼ିବୁ ଆଉ ?

 

( ୩୬ )

ବାଟରେ ଯାଉଛି ଚାଲି

ବାଟୋଇ ଅନାଏଁ ଖାଲି,

ଆଖି ତାର ନ ଦିଏ ଧିଆନ,

ହାତ ପାଖେ ଭାତ ଥାଳି !

ମଉଳି ପଡ଼ିଛି କଳି

କେ ବୁଝିବ ମରଣ କାରଣ ?

 

( ୩୭ )

କିଏ ଜାଣେ ଭମରାର

କେବେ ସରିଛି ସଂସାର ?

କେଡ଼େ ତ୍ୟାଗୀ, ନିସ୍ୱାର୍ଥ, ମହାନ !

ବଣ ମାଳତୀର ସରି

ଫୁଟି ସେ ଗଲା ମଉଳି

ତୋଳି ନେଲେ କୋଳେ ଭଗବାନ ।

 

( ୩୮ )

ସେହି ଦେବୀଦ୍ୱାର-            ଚରଣ ପରଶି

ମହାନଦୀ ବହେ ଆଜି,

ସେହି ପାହାଡ଼ର            ତଳି ବଣେ ସେହି

ଗଛ ପଡ଼ିନାହିଁ ଭାଜି ।

 

( ୩୯ )

ରବି ବୁଡ଼େ ସେହି            ପାହାଡ଼ ଉହାଡ଼େ

ନାଲି ଫଗୁ ବୁଣି ବୁଣି,

କାଳ ମହରଗ            କେତେ ଆସେ ଯାଏ

ଭମର ନ ଆସେ ପୁଣି ।

 

( ୪୦ )

ଦେବୀ ରାମଚଣ୍ଡୀ-            ଚରଣେ ଲୋଟିଲା

ଯେଉଁ ବଣ ଝରା କଢ଼ୀ,

ମୂକ ଇତିହାସ            ଲେଖେ କି ଏଭଳି

କେତେ କାହିଁଯାଏ ସଢ଼ି ?

 

ଝରାକଢ଼ୀ ୧୯୧୯ ସାଲର ଗୋଟିଏ ପ୍ରତ୍ୟକ୍ଷ ଘଟଣାର ଚିତ୍ର ।

 

ଆବାହନ

( ୧ )

ଆସ ମଧୁକର,

କଜଳ କାଳିଆ ଆଖି,

ଆସ ଆସ ଥରେ

ନୟନ କୋଣରେ

ସ୍ନେହ-ଅଞ୍ଜନ ମାଖି,

କହିଥିଲ ପରା

ବାହୁଡ଼ିବ ବୋଲି

ମଳୟ ଅଛି ତା ସାକ୍ଷୀ ।

 

( ୨ )

ଏଇ ଶୁଭେ ଦୁରେ

ବନ-ଭରା ସୁରେ ବେଣୁ,

ଅକୁଣ୍ଠ ସୁମନ

ଛାଇଲାଣି ବନ

ବିଞ୍ଚି ପରାଗ- ରେଣୁ,

ବିତିଯିବ ଶୁଭ-

ପ୍ରଭାତି ଲଗନ

ଉଛୁର ନ କର ତେଣୁ ।

 

( ୩ )

ଚପଲ ଭ୍ରମର !

ଗୁଣୁ ଗୁଞ୍ଜନ କର,

ଚାହିଁ ଦେଖ ଦୁରେ

ପବନ ଆତୁରେ

ଛୁଇଁବାକୁ ତରତର,

ନୀଳ ଶତଦଳ-

କୋଳେ ହସିଲାଣି

କଉତୁକୀ ଦିନକର ।

 

( ୪ )

ଶିଶିର ପରଶା-

ବନ- ପଞ୍ଚବ ଦଳ,

ପହିଲି କିରଣେ

ଉଜ୍ଜ୍ୱଳ ବରଣେ

ଦିଶିଲେଣି ଝଲମଲ,

ଧରା ଜନନୀର

ଚରଣ-ଭେଟିକି

ମୁକୁତା କି ଢଳ ଢଳ !

 

( ୫ )

ଆସ ମଧୁଲିଟ,

ଆସ ମୋର ଚିର ସାଥୀ,

ଅନ୍ଧାର ଯାଇଛି,

ଆଲୋକ ଚାହିଁଛି,

ସରିଛି କାନ୍ଦିବା ରାତି,

ବିଫଳେ ନ ଯାଉ

ସଞ୍ଚିତ ମଧୁ,

ସାଇତିଛି ବୁକୁ ପାତି ।

 

( ୬ )

ଶୁଣିନା କି ତୁମେ

ମୁକୁଳା ଗଗନ-ତଳେ

ମୁକ୍ତ କାନନ

ମୁକ୍ତ ପବନ

ମୁକ୍ତ ବିହଗ- ଦଳେ

ମୁକୁଳା ମନର

ସଂଗୀତ ଗାଇ

ଚମକାଏ ଜଳେ, ଥଳେ ?

 

( ୭ )

ଆସ ହେ ସ୍ୱାଧୀନ,

ଉଡ଼ାଇ ପକ୍ଷ- ପତାକା,

ନୁହେ ପରାଧୀନ

ଆଉ ତ ଜୀବନ

ଲିଭିଛି କାଳିମା ରେଖା,

ଯୁଗ ଯୁଗାନ୍ତର

ଅବସାଦ ପରେ

ମିଳିଛି ଆଲୋକ - ଦେଖା ।

 

( ୮ )

ଆସ ବନ୍ଧୁ, ପାଶେ

ଭୁଲି ଭେଦା ଭେଦ ମନୁ,

ଏହି ଧରଣୀର

ଏହି ଜନନୀର

କୋଳେ ତ ଗଢ଼ା ଏ ତନୁ

ଆମରି ପାଇଁ ତ

ଭାସି ଆସେ ସାଥୀ

ଏକା ଫୁଲ ଗନ୍ଧ ବନୁ ।

 

( ୯ )

ଏ ଶୁଭ- ଲଗନେ

ତୁମେ କି ନୀରବ ଖାଲି ?

ସର-ଜଳ-ତଳ

ଗାଇ କଳ କଳ

ତୀରେ ତନୁ ଦିଏ ଢାଳି,

ଚାହିଁ ବସିଛି ମୁଁ

ସୁବାସ ସଜାଡ଼ି

ମେଲାଇ ପାଖୁଡ଼ା - ଥାଳି ।

 

( ୧୦ )

ଡରୁଛ କି ସଖା !

ଭଗାରିଏ ଥିବେ ଟାକି ?

ମୁକ୍ତ ମୁଁ ପରା

ମୋ କେଶର ଝରା

ମୁକୁଳା ତ ମନଲାଖି,

ମୁକ୍ତ ଭୁବନ

ଆନନ୍ଦେ ମଗନ

ତୁମେ, ମୁଁ କି ଥିବା ବାକି ?

 

ନିବେଦନ

ଦ୍ୱାର ଛାଡ଼ି ପ୍ରତିହାର !

ବିଶ୍ୱ- ବିଧିର ଚରଣେ ମୋହର

ଅଛି କିଛି କହିବାର ।

 

-୧-

ସ୍ୱାଧୀନ ହୋଇଛି ଶୁଣିଛି ଏକଥା

ଆଣି ସେ ଆସିଛି କେତେ ନୂଆ ବ୍ୟଥା,

ବେଦନାରେ ନିତି ଘାରୁଛି ତ ମଥା

କାହିଁକି ଏ ଅବିଚାର ?

ଏତିକି ପଚାରିବାର ।

ଦ୍ୱାର ଛାଡ଼ି ପ୍ରତିହାର !

 

-୨-

ଦ୍ୱେଷର କ୍ଷାନ୍ତି, ଦେଶର ଶାନ୍ତି,-

ନ ଥାଇ କି ଲାଭ ଲଭି ଏ ମୁକ୍ତି ?

ଶିଖାଅ ଭକ୍ତି, ଦିଅ ହେ ଶକ୍ତି,

ତୁମେ ପରା ଶକ୍ତିଧର ?

ଜଣାଇଁବି ଯୋଡ଼ି କର ।

ଦ୍ୱାର ଛାଡ଼ ପ୍ରତିହାର !

 

-୩-

ଶିଖାଅ ଧୈର୍ଯ୍ୟ, ଦିଅ ହେ ଶୌର୍ଯ୍ୟ,

ହିଂସା ଦଳନେ ଅମିତ ବାର୍ଯ୍ୟ,

ଜଗତ- ସମାଜେ ବୋଲାଏଁ ଆର୍ଯ୍ୟ

ପ୍ରଭୁ ଚରଣରେ ମୋର

ଏତିକି ତ ମାଗିବାର ।

ଦ୍ୱାର ଛାଡ଼ ପ୍ରତିହାର !

 

-୪-

ମର୍ମ୍ମେ ମର୍ମ୍ମେ ବୁଝିବି ଜୀବନେ

ସ୍ୱାଧୀନ ମୋ ଦେଶ, ସ୍ୱାଧୀନ ମୁଁ ଜଣେ

ଜୀବିତ ମୁଁ ନିତି ସ୍ୱାଧୀନ ପବନେ

ଦିଅ ପ୍ରଭୁ, ଏହି ବର

କହିବି ନୁଆଁଇ ଶିର ।

ଦ୍ୱାର ଛାଡ଼ ପ୍ରତିହାର !

 

-୫-

କହିବି ବିଧାତା, ତୁମେ ଲୀଳାମୟ !

ତୁମରି ଇଙ୍ଗିତେ ସୃଷ୍ଟି, ସ୍ଥିତି, ଲୟ,

ଭଙ୍ଗା, ଗଢ଼ା ଛାଡ଼ି, କରହେ ଅଭୟ,

ଅଭିନବ ରୀତି ଧର,

ଭବ ସୁନ୍ଦର କର ।

ଦ୍ୱାର ଛାଡ଼ ପ୍ରତିହାର !

 

-୬-

ଯୁଗ ଯୁଗ ପରେ ଦେଖିଛି ଆଲୋକ,

ଭୁଲିଯାଏଁ ଯେତେ ଗତ- ନିଶି ଶୋକ,

ଶାନ୍ତି ବରଷ ହସୁ ଏ ଭୂଲୋକ,

ଆଶିଷ ତବ ବିତର

ମାଗିବି ଏତେ ମାତର ।

ଦ୍ୱାର ଛାଡ଼ ପ୍ରତିହାର !

 

-୭-

ଧୃବ ଭିତ୍ତରେ ଗଢ଼ ଏ ଭାରତେ,

ଗଉରବମୟ କର ଏ ଭାରତେ,

ସଉରଭ ତବ ପ୍ରସରୁ ଭାରତେ,

ନିବେଦନ ଜୀବନର-

ଘେନ କୋଟି ନମସ୍କାର ।

ଦ୍ୱାର ଛାଡ଼ ପ୍ରତିହାର !

 

-ଫୁଲ-ରେଣୁ-

( ୧ )

କାହିଁକି ତୋର ଏ ସୃଷ୍ଟି

କେତେ କ୍ଷଣ ପାଇଁ,

କାହିଁକି ତୋର ଏ ବାସ

ଢାଳୁ କାହା ପାଇଁ ?

 

କାହିଁକି ତୋ ମୁଖେ ହାସ

ଫୁଟୁ କାହା ପାଇଁ

କାହିଁକି ବିଚିତ୍ର ବର୍ଣ୍ଣ

ମଉଳୁ କିପାଇଁ ?

 

( ୨ )

କିଏ ଖର ରବି କରେ

ହସେ ଟହ ଟହ,

କିଏ ଭରା ଚାନ୍ଦିନୀରେ

ବାସେ ମହ ମହ,

 

କିଏ ଭରା ଚାନ୍ଦିନୀରେ

ବାସେ ମହ ମହ,

କିଏ ପୁଣି ସଞ୍ଜ ହେଲେ

ରସାଣେ ତା ମୁହଁ

କିଏ ଉଷାର କାକରେ

ଢାଳେ ଆଖି ଲୁହ ।

 

( ୩ )

କାର ଫୁଟେ ଦରହାସ

ବସନ୍ତ ପବନେ

କାର ତୁଟେ ମଧୁ ବାସ

ମଳୟ ସଙ୍ଗମେ,

 

କାର ଲୋଟେ ଦଳ ତଳେ

ଶିଶିର ଆଗମେ,

କାର ଛୁଟେ ଜୀବ, ହେରି

ବରଷା ଗଗନେ ।

 

( ୪ )

ଜନମ ତୋର ସଫଳ

ଅଥବା ବିଫଳ

କରମ ତୋର ଉଜ୍ଜ୍ୱଳ

ବୋଳା ବା କଜ୍ଜଳ

 

ଧରମ ତୋ ଫୁଟିବାର

ଅବା ତୁଟିବାର

ମରମ ତୋର କଠୋର

କି ଅବା କୋମଳ ?

 

( ୫ )

କିଏ ଜାଣେ, କେ କହିବ,-

ଏକା ସ୍ରଷ୍ଟା ଚିନା

କିଏ ଚିହ୍ନେ ମନ ତୋର,

ଏକା ସେହି ସିନା,

 

କିଏ ସେ ବୁଝିବ ତୋର

ମନର ବେଦନା,

କିଏ ବା ଜାଣିବ, ଆସୁ

ଘେନି କି ବାସନା ?

 

( ୬ )

ତୁ କରୁ ନିଖିଳ ବିଶ୍ୱ

ନିଃସର୍ଗ ସୁନ୍ଦର,

ତୁ କରୁ ପ୍ରଣୟୀ ଚିତ୍ତ

ପ୍ରୀତି ଟଳମଳ,

 

ତୁ କରୁ ମଳୟେ ଚିର

ଉଦ୍‌ଭ୍ରାନ୍ତ ପାଗଳ,

ତୁ କରୁ ଯୋଗୀର ମନ୍ତ୍ର

ସତତ ସଫଳ ।

 

( ୭ )

ମୋ ଲାଗି କି ଜନ୍ମ ତୋର

ହସୁ ମୋହ ଲାଗି ?

ମୋ ଲାଗି କି ତାରା-ଭରା

ନିଶି ଥାଉ ଜାଗି ?

 

ମୋ ଲାଗି କି ହେଉ ସତେ

ବସନ୍ତ ସୋହାଗୀ ?

ମୋ ଲାଗି କି ଅତର ତୋ

ଅଙ୍ଗେ ଥାଏ ଲାଗି ?

 

( ୮ )

ନୁହେଁ, ଏ ବିଭବେ ମୋର

ନାହିଁ ଅଧିକାର

ନୁହେଁ କାହା ଲାଗି ତୋର

ଜନମ- ଜଞ୍ଜାଳ ।

 

ନୁହେଁ ତୋ ଜୀବନ-ସାଥୀ

କବି, ଚିତ୍ରକାର,

ନୁହେଁ ସେ ପ୍ରେମିକ ଲାଗି,

ନୁହେଁ ପ୍ରେମିକାର ।

 

( ୯ )

ଯେ ତୋତେ ବୃନ୍ତ ଦୋଳିରୁ

ବଳେ ଆଣେ ହରି

ଯେ ତୋତେ ଗଳାରେ ମଣ୍ଡେ

ରଚେ ବା କବରୀ,

 

ଯେ ତୋତେ ମଣଇଁ ପ୍ରୀତି-

ଉପହାର କରି,

ଯେ ତୋତେ ଦଳଇ ଅବା,

ତୁ ନୁହ କାହାରି ।

 

( ୧୦ )

ତୁ ନୋହୁ ରସିକ ଲାଗି,

ମଧୁଲିଟ ଲାଗି,

ତୁ ନୋହୁ ଚନ୍ଦ୍ରର, ନୋହୁ

ନିଶି ସୁଖ ଭାଗୀ,

 

ତୁ ନୋହୁ ଲଳନା- କଣ୍ଠ-

ତଟ ଅନୁରାଗୀ,

ତୁ ନୋହୁ, ତାହାର;- ଯେହୁ

ସୌନ୍ଦର୍ଯ୍ୟ-ବିରାଗୀ ।

 

( ୧୧ )

ଯାହାର ସୃଜନେ ତୋର

ଜନମ ସୁନ୍ଦର,

ଯାହାର ଆଶିଷ ଘେନି

ଆଦର ତୋହର,

 

ଯାହାର ସେବାରେ ସୁଖେ

ଗର୍ଭେ ଘେନୁ ଡୋର,

ଯାହାର ସର୍ଜନା ତୁହି,

ସେହି ଏକା ତୋର ।

 

( ୧୨ )

ତା ଲାଗି ତୋ ବାସ, ବେଶ,

ବିଚିତ୍ର ବରଣ,

ତା ଲାଗି ବୃନ୍ତର କୋଳେ

ଅଦ୍‌ଭୂତ ଜନମ,

 

ତା ଲାଗି ସିନା ତୋ ଅଙ୍ଗେ

ବିକଶେ ଯୌବନ,

ତା ଲାଗି ତୋର ଏ ସୃଷ୍ଟି,

ସେବୁ ତା ଚରଣ

 

( ୧୩ )

ଆସୁ ଅବା ଯାଉ କାହିଁ

କେହି ନ ଜାଣଇଁ,

ଜନମ ମରଣେ ତୁଚ୍ଛ

ଆଡ଼ମ୍ବର ନାହିଁ,

 

ପବନରେ ମିଶି ଶୂନ୍ୟେ

ଯାଉ ତୁ ମିଳାଇ,

ନିଃସ୍ୱାର୍ଥ ଜୀବନ ତୋର

ପର ସେବା ପାଇଁ ।

 

( ୧୪ )

ଲଭନ୍ତି କି ତୋହ ପରି

ଜନମ, ମରଣ,

ଅଜଣାରେ, ଅଶୁଣାରେ

ଯାଆନ୍ତା ପରାଣ,

 

ଜୀବନ ମୋ କରିବୁ କି

ତୋହ ସରି ଧନ୍ୟ,

ଘେନିବୁ କି ‘ଫୁଲ-ରେଣୁ’

ମୋର ନିବେଦନ ?

 

ପ୍ରିଣ୍ଟର- ଶ୍ରୀ ଜୟନ୍ତ ପାଠିୟାଙ୍କ ଦ୍ବାରା ଶ୍ରୀ ରାଧାନାଥ କୋ- ଅପରେଟିଭ ପ୍ରେସରେ ମୁଦ୍ରିତ