ମାତଃ ବୈତରଣି, ତୋ ନାମ ସ୍ମରଣେ,
କେତେ କେତେ କଥା ପଡ଼ୁଅଛି ମନେ ।
କେତେ ନୂଆ ନୂଆ ଭାବର ଲହରୀ,
ଖେଳି ଯାଉ ଅଛି ହୃଦୟେ ମୋହରି ।
ଶୈଶବର ସେହି ସ୍ୱର୍ଗୀୟ ବାରତା,
ଶିଶୁ-ଜୀବନର ସେ ମଧୁର କଥା ।
ଉଡ଼ି ବୁଲୁଥିଲା ଉଶ୍ୱାସେ ହୃଦୟ
ଭେଟୁଥିଲା କେତେ ରାଜ୍ୟ ସ୍ୱପ୍ନମୟ
ସେ ମୋହନ ରାଜ୍ୟେ କରି ବିଚରଣ,
ଦେଖିଥିଲା କେତେ ସୁଖର ସ୍ୱପନ ।
ଶୁଣୁଥିଲା ସେହି ସ୍ଥାନେ ନିତି ନିତି,
ଦୂରାଗତ ମୃଦୁ ମଧୁ ବଂଶୀ ଗୀତି ।
ସ୍ୱର୍ଗ ସରଳତା, ସ୍ୱର୍ଗର ମାଧୁରୀ
ଥିଲା ଚାରିଦିଗେ ସେହି ରାଜ୍ୟେ ପୂରି ।
ସଂସାର ଭାବନା, କୂଟ ନୀତିଚୟ,
ନ ଥିଲା ସେ କାଳେ ପରଶି ହୃଦୟ ।
ମୋ କ୍ଷୁଦ୍ର ଅନ୍ତର ପବିତ୍ର, ନିର୍ମଳ
ପ୍ରେମ, ସାରଲ୍ୟର ନିତ୍ୟ କ୍ରୀଡ଼ାସ୍ଥଳ,
ଭାସି ସ୍ୱପ୍ନମୟ କବିତା-ସାଗରେ
ଉଠୁଥିଲା ନାଚି କ୍ଷଣେ ଆନନ୍ଦରେ ।୨୦।
ଶୋଭାରେ ତୋହର ଅଙ୍ଗ ଦେଇ ଢ଼ାଳି,
କରିଥିଲା ତୋତେ ସ୍ମୃତିର ସଙ୍ଖାଳି ।
ସେକାଳେ ତୋହର ସୁରମ୍ୟ ପୁଲିନ,
ଆଶ୍ରା କରି କଟାଇଲି ବହୁଦିନ ।
ଶୋଇ ପ୍ରାଣାରାମ ବାଲି-ଆସ୍ତରଣେ
ଭୁଲି ଯାଉଥିଲି ନିଜତ୍ୱ ସେକ୍ଷଣେ ।
ଜନନୀର ସ୍ନେହୁଁ ବଳି ସୁଖକର
ସ୍ନିଗ୍ଧ ପୟଦାନ କରିଲୁ ତୋହର ।
ତୋ କୋଳ ଶେଯରେ କରିଣ ଶୟନ
ଫୁଟିଲା ମୋହର ପ୍ରଥମେ ନୟନ ।
ବିସ୍ମୃତି ତିମିରୁ ଟାଣି ଆଣି ମୋତେ
ଚିହ୍ନା କରାଇଲୁ ଜଗତ ସଙ୍ଗତେ,
ଶୈଶବର କ୍ଷୀଣ ସ୍ମୃତି ମନୋହର
ଜାଗି ଆଲୋଡ଼ିତ କରଇ ଅନ୍ତର ।
ପ୍ରଭାତୁଁ ଉଠିଣ ମାଛରଙ୍କା ଭାଇ
ତୋ କକ୍ଷରେ ଉଡ଼ି ବୁଲିଥାଏ ଧାଇଁ
ତଳକୁ ଅନାଇ ରହି ବାରବାର
ଝାମ୍ପି ନେଇ ଯାଏ ପଲକେ ଶିକାର ।
ପାଣିକୁଆ ତାର ଆହାର ସନ୍ଧାନେ
ଡ଼ୁବମୋରି ଉଠେ ଏକୁଁ ଅନ୍ୟସ୍ଥାନେ ।୪୦।
ଆମ୍ବ ଶାଖେ ବସି କପୋତ ଦମ୍ପତି
ଶୁଣାଅନ୍ତି ଦୁରୁଁ କରୁଣ ଭାରତୀ,
ସେକାଳେ ତୋହର ତୀର ତରୁଗଣ
କରନ୍ତି ତୋ ଦେହେ ଶିଶିର ବର୍ଷଣ ।
କୁମ୍ଭାଟୁଆ ବସି ଦୂରବଂଶ ବନେ,
କମ୍ପାଏ ଦିଗନ୍ତ ପ୍ରଭାତୀ-ନିଃସ୍ୱନେ ।
ଧାନ କିଆରିରେ ଚଷାପୁଅ ଭାଇ
ବୁଲୁଥାଏ ନିଜମନେ ଗୀତ ଗାଇ;
ପ୍ରଭାତୁଁ ଉଠିଣ ପାଳ-ଜଗୁଆଳି
ସମୀରରେ ନିଜ ସ୍ୱର ଦିଏ ଢ଼ାଳି ।
ସେକାଳେ ମୁଁ ତୋଳି ‘‘ସପ୍ତଫେଣୀ’’ ଫୁଲ,
ତୋର କୂଳେ ଖୋଜି ବୁଲେ ‘‘କତକୁଲ’’
ସୈକତେ ‘‘ବାଲୁକା ଠାକୁର’’ ନିର୍ମାଣି,
ପୋତିଦିଏଁ ନାନା ପତ୍ର ପୁଷ୍ପ-ଆଣି
ନବୀନ ରବିର ସ୍ନିଗ୍ଧ କର ରାଶି,
ତୋର ସ୍ୱଚ୍ଛନୀରେ ଉଠେ ଭାସି ଭାସି ।
ମୃଦୁ ହିଲ୍ଲୋଳର ଅଙ୍ଗେ ପ୍ରତିଫଳି
କାଞ୍ଚନ କିରଣ ଉଠଇ ଉଜ୍ଜ୍ୱଳି ।
ଖରାବେଳେ ଯେବେ ତାତିଯାଏ ବାଲି
ଆଉ ତୋ ସୈକତେ ନ ହୁଅଇ ଚାଲି ।୬୦।
ତୋ ତୀର ତୋଟାରେ ବସି ନିରନ୍ତର
ସଖାଙ୍କ ସଙ୍ଗତେ ଖେଳେଁ ବାଲିଘର ।
ତଣ୍ତି ଚାରିପିଠି ଅବା କେତେବେଳେ
ମତ୍ତ ହୋଇଯାଉଁ ଲୁଚକାଳି ଖେଳେ ।
ସମର୍ପି ତୋଠାରେ ସିନା ଧ୍ୟାନ, ମନ,
କରିଥିଲି ତୋତେ ମୋ ଜୀବ ଜୀବନ;
ଥିଲା ଆଶା, କରି ବାସ ତୋର ତଟେ,
ପୁଜୁଥିବି ତୋତେ ମୋ ମାନସ ପଟେ,
ସ୍ୱପନରେ ଥରେ ନପାରିଲି କଳି
ନିୟତିର ଗତି ଦାରୁଣ ଏଭଳି ।୭୦।
ଦିନକର ଯେବେ ବୁଡ଼ଇ ଆକାଶେ
ଡାହାଣିଆ ଖରା ବାଲି ମାଡ଼ି ଆସେ;
ଶୁଭ୍ରକାଶ ପୁଷ୍ପ ରବିର କିରଣେ
ରଞ୍ଜିତ ହୁଅଇ ରକ୍ତିମ ବରଣେ;
ଟହ ଟହ ଦିଶେ ପ୍ରତିଚୀ ଗଗନ
ତାର ଚିତ୍ରକରୁ ଜଳେ ପକଟନ,
ତୋର ସ୍ୱଚ୍ଛ ନୀରେ ଶତ ଇନ୍ଦ୍ରଧନୁ
ପ୍ରକାଶନ୍ତି ବର୍ଣ୍ଣୋ-ତ୍ସବମୟ ତନୁ,
ନାନା ପକ୍ଷୀ ଉଡ଼ି ଯାଆନ୍ତି ଆକାଶେ,
ତାଙ୍କ ପ୍ରତିବିମ୍ବ ତୋ ଅଙ୍ଗେ ପ୍ରକାଶେ ।୮୦।
ନିଜ ସାଥୀ ସାଙ୍ଗ ମିଳି ଜଣ କେତେ,
ସାଉଣ୍ଟୁଁ ଶାମୁକା ତୋହରି ସୈକତେ ।
ଅଣ୍ଟିରେ ପୂରାଇ ଶାମୁକା ଯେତକ
ମନେ ମନେ ହୋଇଯାଉଁ ବଡ଼ଲୋକ ।
ଶୈଶବର ସେହି ଚାରୁ ଚିତ୍ର-ରେଖା
ଆଜି ସ୍ମୃତିପଟେ ରହିଅଛି ଲେଖା ।
ଲୋଡ଼ି ବୁଲେ ଆଜି ତାପିତ ଅନ୍ତର,
ଅତୀତର ସେହି ସ୍ମୃତି ମନୋହର ।
ସଂସାର-ଅନଳେ ହୋଇଦଗ୍ଧପ୍ରାୟେ,
ସକାତରେ ସ୍ନିଗ୍ଧ ଅତୀତକୁ ଚାହେଁ ।୯୦ ।
ଗୋନାସିକା କରି ଗମ୍ଭୀର ଗର୍ଜନ,
ତୋର ତପ୍ତଧାରା କରେ ବିସର୍ଜନ ।
ଗିରି ଅଙ୍କୁ ଡେଇଁ ପଡି ମହାରୋଷେ,
ବହି ଯାଉ ଥାଉ ଗମ୍ଭୀର ନିର୍ଘୋଷେ ।
ଶୈଳସଙ୍ଗେ ଯୁଝି କାହି ବାଟେ ବାଟେ,
ଫେରାଉ ତୋ ଗତି ଭୀଷଣ କୁହାଟେ ।
ଭେଦି ନାନା ବନ କାନନ କନ୍ଦରା,
ବହୁ ଏଣେ ତେଣେ ପ୍ରକୃତି-ମୁଖରା ।
ଗୋଟି ଗୋଟି ହୋଇ ପାର୍ବତ୍ୟ-କୁଟୀର ।
ମଣ୍ତିଥାନ୍ତି ଆହା, ତୋର ରମ୍ୟତୀର । ୧୦୦।
ଶାଳତରୁ ତୋର ଜଳ ଦରପଣେ,
ଦେଖନ୍ତି ନିଜର ମୁଖ ସୁଖ ମନେ ।
କେଳି-ସମାକୁଳ କରୀନ୍ଦ ଦମ୍ପତି,
ତୋର ଉପକୂଳେ ମିଳନ୍ତି ଝଟତି ।
ଅରଣ୍ୟ ମହିଷି ଆସି ଦଳେ ଦଳେ,
ପଡ଼ୁଥାନ୍ତି ତୋର ଶୀତଳ ସଲିଳେ ।
ଭୁଇୟାଁରମଣୀ ଗୃହକାର୍ଯ୍ୟ ସାରି,
ମିଲଇ ଆସିତୋ ସୁଶୀତଳ ବାରି ।
ଅଙ୍ଗ ଶୌଚ ଆଦି ସାରି ସଯତନେ,
ହସି ହସି ଘରେ ଫେରେ ସୁଖମନେ ।୧୧୦।
କଳସି କାଖରେ ଧୀରେ ଧୀରେ ଯାଏ,
ରହି ରହି ଥିରେ ପଛକୁ ଅନାଏ ।
କଳସ ଓହ୍ଲାଇ ରଖି ତୋର ତୀରେ
ବନ ଫୁଲଟିଏ ତୋଳି-ନିଏ ଧୀରେ
ଲଜ୍ଜାଭରେ ଥରେ ଏଣେ ତେଣେ ଚାହିଁ,
ଫୁଲଟିକୁ ଦିଏ ଗଭାରେ ଗୁଞ୍ଜାଇ
ଏହିରୂପେ ନାନା ଚାରୁଭଙ୍ଗି ଭରେ,
ହଲି ହଲି ଧୀରେ ଫେରେ ନିଜଘରେ;
ଭୂମିଜ ବାଳକେ ଦଳ ବାନ୍ଧିକରି,
ବୁଲୁଥାନ୍ତି କାହିଁ ମାଛ ଧରି ଧରି ।୧୨୦।
ଟାଙ୍ଗି ଘେନି କରେ କାହିଁ ସାଂଆନ୍ତାଳ,
କାଟଇ ଉତ୍ସାହେ ତୋର ତୀର ଶାଳ ।
ବେଳ ରତରତ ହେଉଥାଏ ଯେବେ,
ଫେରନ୍ତି ସକଳେ ଗୃହଆଡ଼େ ତେବେ ।
ଦଳେ ଦଳେ ବସି କୁଟୀର ପ୍ରାଙ୍ଗଣେ,
ଧୂମ୍ରପାନ କରୁଥାନ୍ତି ସୁଖମନେ ।
କହି ନିଜ ନିଜ ସୁଖ ଦୁଃଖ କଥା,
ହରନ୍ତି ସକଳେ ପରିଶ୍ରମ ବ୍ୟଥା ।
ଏକାଳେ ଘରଣୀ ସୁମଧୂରେ ହସି,
ଥୋଇଦିଏ ଆଗେ ‘‘ହାଣ୍ତିଆ’’ କଳସୀ । ୧୩୦।
ତହୁଁ ସେ ସକଳେ ମହା ପ୍ରେମ ଭରେ,
ହାଣ୍ତିଆ ପାନରେ ଲାଗି ଯାନ୍ତି ଖରେ ।
କିଛିକାଳ ପରେ, କରି ସୁରାପାନ,
ଭୁଲି ଯାନ୍ତି ଯେତେ ମାନ ଅପମାନ ।
ସଂସାରର ଦୁଃଖ ସଂସାର ବାରତା,
ତଡ଼ି ଦିଏ ମନୁ ସୁରା ମାଦକତା ।
ସ୍ୱପ୍ନମୟ ଦେଶେ କରି ବିଚରଣ,
ଦେଖନ୍ତି ସକଳେ ଜାଗ୍ରତ ସ୍ୱପନ ।
‘ମାଦଳ’ ପକାଇ କିଏ ସେ ବଜାଏ,
କିଏ ନାନା ରଙ୍ଗେ କେତେ ଗୀତ ଗାଏ ।୧୪୦।
କିଏ ହାସ୍ୟରୋଳେ କମ୍ପାଏ ଗଗନ,
କିଏ ଅବା କରେ ଧରାରେ ଶୟନ ।
ନାରୀଗଣ ତହୁଁ ନାଚି ନାଚି ଆସି,
ତାଳ ସଙ୍ଗେ ବୋଲୁଥାନ୍ତି ‘‘ବାରମାସୀ’’ ।
ସେ ଧ୍ୱନି ଗଗନେ ଉଠଇ ଉଛୁଳି,
ଦୂର ପରବତ ଦିଏ ହୁଳହୁଳି ।
ମାତି ଯାଉ ତୁହି ସେ ସଙ୍ଗୀତ ରୋଳେ,
ନାଚି ଉଠୁ ମୃଦୁ ତରଙ୍ଗ ହିଲ୍ଲୋଳେ ।
ସଭ୍ୟ ଜଗତର ଜୀବନ ସଂଗ୍ରାମ,
ଜାଣି ନାହିଁ କେତେ ତାଙ୍କ ଚାରୁ ଧାମ ।୧୫୦।
ଭବ କୁଟୀଳତା କୁଟୁ ନୀତିଚୟ,
ପରଶି ନାହିଁ ସେ ସରଳ ହୃଦୟ;
ପ୍ରକୃତିର ଚାରୁ ଆଦିମ ସ୍ୱଭାବ,
ସରଳତା ପୂର୍ଣ୍ଣ ସ୍ନିଗ୍ଧ ଶିଶୁଭାବ,
ପ୍ରକଟଇ ତହିଁ ଦୈନିକ ଜିବନେ,
ସ୍ୱଭାବର ଶିଶୁ ଭୂଇଁଆ ଭବନେ ।
ଉତ୍କଳ ସୁଷମା ଗୌରବର ଖଣି,
ଅଟୁ ତୁହି ସିନା ମାତଃ ବୈତରଣି ।
ଯେଣୁ ତୋର ତୀରେ ଦେବ ଉମାପତି,
ଶ୍ରୀକୁଶଳେଶ୍ୱର କରିଲେ ବସତି ।୧୬୦।
କେନ୍ଦୁଝର ବନ ଶୋଭା ଦେଖି ନେତ୍ରେ,
ପ୍ରବେଶୁ ତୁ ତହୁଁ ଶ୍ରୀ ବିରଜାକ୍ଷେତ୍ରେ ।
ଯହିଁ ଆଦିମାତ । ବିରଜା-ମହିମା,
ଘୋଡ଼ାଇ ରଖିଛି ଯାଜପୁର ସୀମା ।
ତହିଁ ତୋର ବକ୍ଷେ ବରାହ ମନ୍ଦିର,
ଟେକି ଅଛି ନିଜ ଅଭ୍ର-ଭେଦୀ ଶିର ।
ସ୍ରୋତସ୍ୱିନୀ-କୁଳେ ତୋର ବଡ଼ ପଣ,
ଧୋଉ ଯେଣୁ ତୁହି ବରାହ-ଚରଣ ।
ତଣ୍ତୁଳ କଦଳୀ ଅଟେ ଯାର ଭକ୍ଷ,
ଗୟାସୁର ନାଭି ଧରିଛି ତୋ ବକ୍ଷ । ୧୭୦।
ଶତ ଶତ ଯହିଁ ତୀର୍ଥ-ଯାତ୍ରିଗଣ,
କରୁଥାନ୍ତି ପିତୃ ପ୍ରେତଙ୍କ ତର୍ପଣ ।
ଯଯାତି କେଶରୀ ରଖି ଗଲେ ଯଶ,
ସମାପନ କରି ଅଶ୍ୱମେଧ ଦଶ ।
ଉତ୍କଳ ଶିଳ୍ପର ଅପୂର୍ବ କୀରତି,
ଅଶ୍ୱମେଧ ଘାଟେ ଟେକି ଅଛି ଛତି ।
ତହିଁ ସପ୍ତମାତା ବିକଟ ଦର୍ଶନେ,
ଉପୁଜଇ ମହା ଭୀତି ଜନମନେ ।
ଲୋକ-ଜିହାକାଳୀ ମୃମୁଣ୍ତ-ମାଳିକା,
ଦେଖାନ୍ତି ଜଗତେ ପାପ ବିଭୀଷିକା ।
ସରିତ ଈଶ୍ୱରି, ମାତଃ ବୈତରଣି,
ଉତ୍କଳ-ସରିତ-କୁଳ-ମଥାମଣି ।
ତୋର ଉପକୂଳ ଆଖଣ୍ତଳେଶ୍ୱର,
ଆଶ୍ରିଲେ ତ୍ୟଜିଣ କୈଳାଶ ଶିଖର ।
ତହିଁ ଗୋ ଜନନୀ ତୋ କରୁଣା ଝରି-
ପଡ଼ୁଅଛି କେତେ ପାପିଙ୍କ ଉପରି,
‘‘ମଣି’’ କୃପାବଳେ ତୋ ପୁଣ୍ୟ ନିର୍ଝର,
ଧୋଇ ଘେନିଯାଏ କଳୁଷ ତାଙ୍କର ।
ସହସ୍ର ସହସ୍ର ନତ୍ରମାଳେ ମାଳେ ।
ଭାସୁଥାନ୍ତି ଯହିଁ ସେ ‘‘ଘଡ଼ିଆମାଳେ’’ । ୧୯୦।
‘‘ରିଘାଗଡ଼’’ ଦୁର୍ଗ ପ୍ରାଚୀନ କନିକା,
ହେଉ ପ୍ରକୃତିର ବିଶାଳ ପରୀଖା;
କୂଳେ ସନ୍ତର୍ପଣେ ମୃଗ ପଲ ପଲ ।
ପିଉ ଥାନ୍ତି ତୋର ବାରି ସୁବିମଳ ।
‘‘କାଳିଗଞ୍ଜଡିଆ’’ ହେନ୍ତାଳ ନିବାଡ଼େ,
ମହାବଳ ତାର ଭୀମ ରଡ଼ି ଛାଡ଼େ ।
ମାଳ ମାଳ ହୋଇ ସିତ ହଂସ ପନ୍ତି,
କେତେ ମନୋହର ଶୋଭା ପ୍ରକାଶନ୍ତି ।
ସରଳୀ ପକ୍ଷୀର ମଧୁର ନିସ୍ୱନ,
ମୁଖରିତ କରେ ତୋର ତୀର ବନ । ୨୦୦।
ଜଳଚର ପକ୍ଷିଗଣ ମୀନ ଆଶେ,
ଚାରିଆଡ଼େ ଉଡି ବୁଲନ୍ତି ଆକାଶେ ।
ଶୁଖୁଆ ପଟଳା ଦଳେ ଦଳେ ଆସି,
ଏଣେ ତେଣେ ବୁଲୁଥାନ୍ତି ଭାସି ଭାସି ।
ଏକ କାଳେ ଏତେ ଶୋଭାର ଦର୍ଶନ,
ଥରେ ଲଭି ଅଛି ଯାହାର ନୟନ ।
ଯେତେଦିନ ଯାଏ ଏହି ଜୀବ ଥିବ,
ସେହି ଚିତ୍ର କାହୁଁ ମନ ପାଶୋରିବ ?
ଶେଷେ ଲୋ ଜନନି, ମିଳୁ ତହିଁ ଯାଇଁ,
‘‘ଧାମରା ମୁହାଣେ’’ ଦେବି ‘‘ଧାମରାଇ’’ ।୨୧୦।
କାନ୍ଦି କାନ୍ଦି ତାଙ୍କ ଅଭୟ ଚରଣେ,
କଚାଡୁ ମସ୍ତକ ରହି କ୍ଷଣେ କ୍ଷଣେ ।
ଘେନିଣ ବିଦାୟ ତାଙ୍କ ଶ୍ରୀପୟରୂ ।
ନିଜ ପତି ଅଙ୍ଗ ଆଲିଙ୍ଗନ କରୁ ।
ତରଙ୍ଗ ରୂପରେ ବଢ଼ାଇଣ କର,
ସଙ୍ଖୁଳି ନିଅଇ ତୋତେ ରତ୍ନାକର ।
ସାଗର ସଲିଳେ ହୋଇଣ ଅସ୍ଥିର,
ମିଶିଯାଏ ତୋର ଶୁଭ୍ର ସ୍ୱଚ୍ଛ ନୀର ।
ମିଶିଯାଏ ଯଥା ଜଳଦ ଅଙ୍ଗରେ,
ବିଦ୍ୟୁଲ୍ଲତା ନାନା ଚାରୁ ଭଙ୍ଗିଭରେ । ୨୨୦।
କଳା ସଙ୍ଗେ ଧଳା କି ଶୋଭା ପ୍ରକାଶେ,
ତେଣେ ଧଳା ମେଘ ନୀଳ ବ୍ୟୋମେ ଭାସେ ।
ପ୍ରକୃତିର ଏହି ଦୃଶ୍ୟ ମହୀୟାନ,
ଏକା ତହିଁ ସିନା ଲଭିଅଛି ସ୍ଥାନ ।
ମାତଃ ବୈତରଣି, ତୋ ପୁଣ୍ୟ ମହିମା
ବଢ଼ାଇଛି ଆଜି ଉତ୍କଳ ଗରିମା ।
ଉତ୍କଳେ ଜନମ, ଉତ୍କଳରେ ଗତି,
ଉତ୍କଳର ତୁହି ନିଜ-ସ୍ୱସମ୍ପତ୍ତି ।
ପୁରାଣ ପ୍ରଖ୍ୟାତ ତୋର ତପ୍ତ ବାରି,
ପୁଣ୍ୟାତ୍ମା କେବଳ ହୋଇଥାନ୍ତି ପାରି ।୨୩୦।
ଧର୍ମପଥେ ଯେହୁ ସଦା ଥାନ୍ତି ରହି,
ସ୍ନେହମୟୀ ରୂପ ଦେଖନ୍ତି ତୋ ତହିଁ ।
ଅଧର୍ମୀ ପାପିଷ୍ଠ ଯେବା ସ୍ୱାର୍ଥ ବ୍ରତୀ,
ଦେଖାଉ ତୁ ତାଙ୍କୁ ଭୀଷଣ ମୂରତି ।
ପାପ ବିଭୀଷିକା ଦେଖି ଅବିରତ,
ପାପିଏ ହୁଅନ୍ତି ପାପରୁ ବିରତ ।
ନିରାଶ ହୃଦୟେ ଉତ୍ସାହ ସଞ୍ଚାରି,
ସନ୍ତପେ ଢଳିବୁ ସ୍ନିଗ୍ଧ ଶାନ୍ତି ବାରି ।
‘‘ଆଶାବୈତରଣୀ’’ ନାମେ କରି ଲୟ,
ଉତ୍ସାହେ ପୂରିବ ଉତ୍କଳ ହୃଦୟ ।୨୪୦।
ବୈତରଣୀ ! ତୋର ପୁଣ୍ୟ ନାମ ସ୍ମରି,
ନବ ଆଶା ପ୍ରାଣେ ଉଠିବ ସଞ୍ଚରି ।
ସେ ଉଦ୍ୟମେ ମାତି ଉତ୍କଳ ସନ୍ତାନ,
ଆଣିବେ ଫେରାଇ ଅତୀତ ସମ୍ମାନ ।
ଭାତିବ ଉତ୍କଳେ ସେ ପୂର୍ବ ଗୌରବ,
ପ୍ରକଟିବ ରବି ଛବି ନବ ନବ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ତରଳ କଳଦ ନୀଳ ନଭଃସ୍ଥଳେ
ଆସୁଛନ୍ତି ଭାସି ହେଳେ ଦଳେ ଦଳେ
ଗୁରୁ ଗମ୍ଭୀର ମୃଦଙ୍ଗର ତାଳେ
ଖେଳାଇ ଚପଳା ଉରସେ ।
ଆଷାଢ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ଶ୍ୟାମଳା ପ୍ରକୃତି ସ୍ନିଗ୍ଧ ଅଙ୍ଗରାଗେ;
ହରିତେ ମାଜିଛି ଲପନ ସରାଗେ,
ଝଳି ଉଠେ ଚମ୍ପା, କେତକୀ ପରାଗେ
ଅଙ୍ଗର ଲାବଣ୍ୟ ବିବଶେ
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ହରିତ ପରଦା ଦମକା ପବନେ
ଉଡ଼ିଯାଇ ପ୍ରକୃତିର କ୍ଷଣେ କ୍ଷଣେ,
ବୁଣିଦିଏ ହୀରା; ମରକତ ଧନେ
ଶେଫାଳି ମାଳତୀ ହରଷେ ।
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ଶାନ୍ତ, ମୃଦୁ, ସ୍ନିଗ୍ଧ, ଚାରୁରସଭରା
ପୂର୍ଣ୍ଣ ଯଉବନ ମତ୍ତ ବସୁନ୍ଧରା,
ଉଛୁଳି ପଡ଼େ କି ଆନନ୍ଦ-ପସରା
କେଉଁ ମାୟା-ଯଷ୍ଟି ପରଶେ !
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ନିଦାଘ-ତାପିତ ପଶୁ ପକ୍ଷିକୁଳ ।
ବୃକ୍ଷଲତା ଆଦି ହରଷେ ଆକୁଳ,
ନାଚେ ସ୍ରୋତସ୍ୱିନୀ ଉଛୁଳାଇ କୂଳ,
ନରଖେ ନିଜକୁ ସ୍ୱବଶେ ।
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମଦିବସେ,
ବାଳ, ବୃଦ୍ଧ, ଯୁବା ନର ନାରୀବୟ
କ୍ରୀଡ଼ା-କଉତୁକେ ସକଳେ ଅଥୟ,
ଚିର-ଅବସନ୍ନ ମୋ କ୍ଷୁବ୍ଧ ହୃଦୟ
ନାଚଇ ପରମ ଗଭସେ ।
ଆଷାଢ଼ ପ୍ରଥମ ଦିବସେ ।
(କବିବର ରାଧାନାଥଙ୍କର ସମାଧି ସ୍ତୂପସଂଲଗ୍ନ ପ୍ରସ୍ତର ଫଳକର ଆବରଣ ଉନ୍ମୋଚନାର୍ଥ ହୋଇଥିବା ସଭାରେ ଗଠିତ ।)
ହେ ଦେବ, ତୁମ୍ଭରି ଏହି ‘‘କାଠ ଯୋଡ଼ି ତୀର’’
ପାର୍ଶ୍ୱେ ବିଡାନସି,
ଗାଇଲ ମଧୁରେ ଯାର ମହିମା ରୁଚିର
ଯାର ତଟେ ବସି ।
ଉତ୍କଳ-ଭାରତୀ-ଗାଥା ନିରତେ ଗାୟନେ
କାଟି ଦିନଚୟ ।
ଶେଷେ ଏହି ପୁଣ୍ୟକ୍ଷେତ୍ର କାଠଯୋଡ଼ି ତୀରେ
ଲଭିଲ ଆଶ୍ରୟ ।
* ସତୀ କଣ୍ଠ-ବିନିଃସ୍ମୃତ ପୂତ ସ୍ତବପାଠ
ଶୁଭେ ଦିବା ନିଶି,
ପାତିବତ୍ୟ ପୁଣ୍ୟ ଜ୍ୟୋତି ସ୍ଫୁରଇ ଯେ ଠାବେ
ନିତି ଦିଶି ଦିଶି ।
* କାଠଯୋଡ଼ି ତୀରସ୍ଥ ରାଧାନାଥଙ୍କର ସମାଧି ସନ୍ନିକଟରେ କୌଣସି ସହମୃତା ସତୀଙ୍କର ସମାଧି ମନ୍ଦିର ଅଛି।
ରାଜା, ପ୍ରଜା, ଧନୀ, ଦୀନ, କରନ୍ତି ଶୟନ
ଏକ ଶଯ୍ୟାପରେ,
ସାମ୍ୟବାଦ ମହାନୀତି ହୁଏ ଉଦୋଷିତ
ଅକ୍ଷରେ ଅକ୍ଷରେ,
‘‘ଦରକାର’’ ମହା ସତ୍ୟ ପ୍ରମାଣ ପ୍ରକାଶେ
ସ୍ଥିରକରି ମନ
ଏ ଅନନ୍ତ ଶୟନକୁ ତେବେ କିହେ ଦେବ
କଲ ଆଲିଙ୍ଗନ ?
ଦେଖାଇଲ ଜଗତକୁ, କାଳର ପ୍ରବାହେ
ଯିବାକୁ ଉଜାଣି,
‘‘ଭାଜନ ନୁହନ୍ତି’’ ଯେଡେ ବଳବନ୍ତ ହେଲେ
ଭବେ କେହି ପ୍ରାଣୀ ।
‘‘ଛାର ଅକିଞ୍ଚତକର ସମ୍ମାନ ସକାଶେ
ବ୍ୟସ୍ତ ସଦା ନର’’,
କିନ୍ତୁ ସେ ସମ୍ମାନ ଆସି ହେଲା ତବ, ଦେବ
ଚରଣ କିଙ୍କର ।
ନ ଥିଲହେ ତୁମ୍ଭେସିନା, ବାଣୀ ବରପୁତ୍ର
ସମ୍ମାନ ଆଶାୟୀ,
ଯୋଗ୍ୟପାତ୍ର ଅନୁସରି, ସମ୍ମାନ ତୁମ୍ଭଙ୍କୁ
ଲୋଡ଼ି ନେଲା ଯାଇଁ,
ହନ-ପ୍ରଭ ଉତ୍କଳକୁ ହେ ବୀର-ଅଗ୍ରଣି,
ଦେଖି ପାପମୟ,
ବାଗ୍ଦେବୀ ବିରାଗ ଦେଖି, ସ୍ୱଭାବେ ତୁମ୍ଭର
କାନ୍ଦିଲା ହୃଦୟ ।
ଶୁଭ କ୍ଷଣେ କବି ଶ୍ରେଷ୍ଠ, କଲ ଉତ୍କଳର
ବାଣୀ ଆରାଧନା,
ବିଣାପାଣି ଇଷ୍ଟବର ଲଭିଲ ହେ, କରି
ଅଦମ୍ୟ ସାଧନା ।
ଘୁଞ୍ଚିଗଲା ଉତ୍କଳର ଦୈନ୍ୟ ଅବସାଦ,
ଘୁଞ୍ଚିଲା ବିଷାଦ,
ଉତ୍କଳ-ଗୌରବ-ଗୀତି ଶୁଣାଇଲ କରି,
ଦୁନ୍ଦୁଭି ନିନାଦ ।
‘ଉତ୍କଳ ଭୁବନ ଅଟେ ଶୋଭାର ଭଣ୍ତାର
ନିଜେ ଅନୁଭବି,
ଭାବୁକ-ମାନସୋଲ୍ଲାସୀ ଚିତ୍ରିଗଲ କେତେ
ସ୍ୱଭାବର ଛବି ।
‘ସଂସାର ନିରୟେ ଅଙ୍ଗ ଢାଳି ଦେଇ ନିତ୍ୟ
କରି ଘୋର ରଣ,
ଚିନ୍ମୟ କବିତା-ରାଜ୍ୟେ କବି-କୁଳ-ଗୁରୋ !
କଲ ବିଚରଣ ।
ଭାଷା ଓ ସାହିତ୍ୟ ଥିଲା ସ୍ୱତନ୍ତ୍ର ଉତ୍କଳ-
ଥିଲା ଛଡ଼ା ଛଡ଼ା,
ଦେଖାଇଲ ଜଗତକୁ ସେହି ଦୁହେଁ ଯାକ
ଏକ ଛାଞ୍ଚେ ଗଢ଼ା ।
ଗଢ଼ିଲ ନବୀନ ଭାଷା, ଅପୂର୍ବ ବିନ୍ଧାଣି,
ନବ ଉତ୍କଳର,
ଆଶ୍ଚର୍ଯ୍ୟ କୌଶଳେ, ସ୍ନିଗ୍ଧ, ସରଳ, ପ୍ରାଞ୍ଜଳ
ସ୍ୱଭାବ-ସୁନ୍ଦର ।
ଆଚ୍ଛାଦିଲ ଜନନୀକୁ ପିନ୍ଧାଇ ରୁଚିର
ନବ ଆଭରଣ,
କି ନୈପୁଣ୍ୟେ ଦେଲ ତାକୁ ନବ ସ୍ଫୁତ୍ତି, ଆଭା
ନବିନ ଭୂଷଣ ।
ଅଦମ୍ୟ ଉଦ୍ୟମେ ତବ ବାଣୀ କୃପାବଳେ
‘ଉତ୍କଳ ମାତାର,
‘ନାମେ ଖ୍ୟାତି ଗ୍ରନ୍ଥେ’ ଦେବ ତବ କୃତି-ପଣେ
‘ପଡ଼ିଗଲା ଗାର’ ।
ତବ ବାଣୀ-ଦତ୍ତ-ବିଣା ଗମ୍ଭୀର ଝଙ୍କାର,
ସେ ମନ୍ଦ୍ର ନିସ୍ୱନ
ଉଛୁଳାଇ ବାୟୁରାଶି ଭେଦୁଥିଲା ଯାଇ
ଅମର ଭୁବନ ।
ସ୍ଫୁରୁଥିଲା ସେ ପ୍ରଗଢ଼ ଗମ୍ଭୀର ପ୍ରକମ୍ପ
ଦିଗ ଦିଗନ୍ତରେ,
ପ୍ରତିଧ୍ୱନି ବାଜୁଥିଲା ଭୁବନେ ଭୁବନେ
ଅନ୍ତରେ ଅନ୍ତରେ ।
କିନ୍ତୁ ଏହି କ୍ଷୀଣ-କଣ୍ଠ-ବିନିଃସୁତ ଗୀତ
କ୍ଷୀଣୁଁ କ୍ଷୀଣତର,
ଭେଦିବକି କେବେ, ଦେବ, ନିଜ ପ୍ରତିବେଶୀ-
ଶ୍ରବଣ ଭିତର !
ଅଛି ଆଶ, ଅଛି ଯେଣୁ କବି ରାଧାନାଥ-
ପଦାଙ୍କ ଆଶ୍ରୟି,
ଧରିଛି ଲେଖନୀ, ସ୍ମରି ତବ ପୁଣ୍ୟ ନାମ
ଭାଷା ଭାବମୟୀ ।
କେ କହେ ହେ, ଉତ୍କଳରୁ ତୁମ୍ଭେ ତିରୋହିତ ?
ନ ହୁଏ ପରତେ ।
ବିରାଜିତ ତୁମ୍ଭେ ଆଜି ଚିନ୍ମୟ ସ୍ୱରୂପେ
ଜୀବନ୍ତ ଜଗତେ ।
ଗାଉଅଛି ଉତ୍କଳର ପ୍ରତି ଘରେ ଘରେ
ସୁମଧୁର ଗୀତି ।
ଶୁଣୁଅଛି ଉତ୍କଳୀୟ କର୍ଣ୍ଣ ଡେରି ସେହି
ସ୍ୱର ନିତି ନିତି,
କଟାଏ ମୁଁ କେତେକାଳ ନିତ୍ୟ ତବ ସହ
ବାକ୍ୟ ଆଳାପନେ
‘ଅନୁଭବେ ମୋ ପାଶରେ ଉପସ୍ଥିତ ତୁମ୍ଭେ
ଶୟନେ ସ୍ୱପନେ
କେତେ ଶିକ୍ଷା ଦେଇଯାଅ କେତେ କଥା କହି
ଗୋପନେ ଗୋପନେ ।
‘କାଳଭାଳେ ଭୁଙ୍ଗୁର’ ଏ ସମାଧି-ମନ୍ଦିର
ହୋଇଯିବ ଲୀଳ;
ଉଡ଼ିବ ଉତ୍କଳେ ତବ ଗୌରବ-କେତନ
ରହି ଚିରଦିନ,
ଅନନ୍ତ ଶୟନେ ଦେବ ଶୋଇ ଦେଖୁଅଛ
ପ୍ରକୃତିର ଖେଳ
‘ତଟିନୀ ପଠାର ଶୁଭ୍ର କାଶ ପୁଷ୍ପ ଶୋଭା
ତରଙ୍ଗର ମେଳ ।
ଅନନ୍ତ-ଉଦାର ବ୍ୟୋମ ଚନ୍ଦ୍ରାତପ ତଳେ
ବାଲି ଆସ୍ତରଣେ
ନୀଳଗିରିମାଳା ଶୃଙ୍ଗେ ମେଘର କୌତୁକ
ଉଦାସ ନୟନେ ।
କାଠଯୋଡ଼ି-ବୀଚିମାଳ-ସଙ୍ଗମେ ଶୀତଳ
ମଳୟ ପବନ;
ନରାଜ ଶିଖରୁ ବହି ସେବିବ ସନ୍ତତେ
ତୁମରି ଚରଣ ।
ଗାଇବ ପବିତ୍ର ନାମ କାଠଯୋଡ଼ି ତବ
ତରଙ୍ଗର ରୋଳେ,
ସ୍ଫୁରିବ ତୁମ୍ଭର, ଦେବ, ଅକ୍ଷୟ କୀରତି
ପବନ-ହିଲ୍ଲୋଳେ ।
ଥାଅ ଦେବ, ତବ ନାମ ହୋଇଛି ଖୋଦିତ
ଅମର ଅକ୍ଷରେ
ଯେତେଦିନ ଥିବ ଭାଷା, ବିରାଜିବ ତାହା
ଉତ୍କଳ-ବକ୍ଷରେ ।
ଶ୍ରୀ କ୍ଷେତ୍ର ।
ଜଗତ-ଜୀବନ ଦିନମଣି ରବି
ପ୍ରକାଶି ଜଗତେ ଅଭିନବ ଛବି
ମଣ୍ତିଣ ଜଗତ ସୁବର୍ଣ୍ଣ କିରଣେ;
ସଜାଇ ଧରଣୀ ନବ ଆଭରଣେ,
ମୃତ ଜଗତକୁ ନିଦ୍ରାରୁ ଉଠାଇ,
ନବୀନ ଉଦ୍ୟମ ଉତ୍ସାହେ ମତାଇ
ଜଗତର ଯେତେ ନାଶି ଦୁଃଖ ରାଶି,
ପ୍ରଭାତେ ନମନ୍ତି ତୋହ ପଦେ ଆସି ।
ଯୋଗ ନିଦ୍ରା ଯହିଁ ଅନାଦି ପୁରୁଷ,
ନାଶ ଯାଏ ଯାହା ପରଶେ କଳୁଷ,
ଯାର ଗର୍ଭୁଁ ଜାତ ହେଲେ ସୁଧାକର,
ସୁଧା-ପ୍ରସୂ ସେହି ରତ୍ନର ଆକର,
ନାହିଁ ଯାର ଅନ୍ତ ନାହିଁ ଯାର ଆଦି,
ହ୍ରାସ-ବୃଦ୍ଧି-ହୀନ ସେହି ବାରାନିଧି
ବଢ଼ାଇ ନିଜର ତରଙ୍ଗ-ଅଧର.
ଦାସ ପ୍ରାୟେ ଚୁମ୍ବେ ତୋହର ପୟର ।
ଉତ୍ତାଳ ତରଙ୍ଗ ଉଠାଇ ସାଗର,
ବଜ୍ର ସମ କରି ଶବ୍ଦ ଭୟଙ୍କର,
ଉଦ୍ଗାରିଣ ଫେନ ଗ୍ରାସିବାକୁ ଧରା
ମହା ଆଡ଼ମ୍ବରେ ଆସୁ ଥାଇ ପରା ।
ଶୁଭ୍ର କଳମାଳା ମୁକ୍ତା-ହାରସମ,
ଦିଶୁଥାନ୍ତି ଆହା କେଡ଼େ ମାନୋରମ ।
ଇନ୍ଦ୍ରଧନୁ-ବର୍ଣ୍ଣ ନିଜ ଅଙ୍ଗେ ବହି,
ଶୋଭୁଥାନ୍ତି ନାନା ଶକ୍ତି ପୁଞ୍ଜି ତହିଁ
ଆର୍ଯ୍ୟ ଗୌରବର ବିଜୟ-କେତନ,
ଉତ୍କଳ-ଶିଳ୍ପର ନିଜ ନିକେତନ,
ସମୟ-ସାଗର-ତରଙ୍ଗ-ଆଘାତେ
କାଳର କରାଳ ମହା ଝଞ୍ଜାବାତେ
ହୋଇ ବିପର୍ଯ୍ୟସ୍ତ ଅବଶିଷ୍ଟ ଯାହା
ଅଛି ତୋର, ତହିଁ ଅଛି ସିନା ତାହା ।
କେନ୍ଦ୍ର ସ୍ଥଳି ସାମୁଦ୍ରିକ ବାଣିଜ୍ୟର,
ରାଜନୈତିକର ସୁଦୃଢ଼ ଶିଖର,
ଅର୍ଦ୍ଧ ଚନ୍ଦ୍ରାଙ୍କିତ ବିଜୟ ନିଶାଣ,
ଉଡ଼ାଇ ଭାରତେ ଧରିଣ କୃପାଣ
ହିମାଚଳଠାରୁ କୁମାରିକା ଯାଏ,
କମ୍ପାଇଲେ ଯେବେ ଯବନ ରାଜାଏ,
ସେକାଳେ ଉତ୍କଳ-ଗୌରବ-ଭାସ୍କର
ଗଜପତି-ଗୌଡ଼େଶ୍ୱର-ବଂଶଧର
ତୋର ତହିଁ ସ୍ୱାଧୀନତା-ବୈଜୟନ୍ତ୍ରୀ,
ଉଡ଼ାଇ ରଖିଲେ ଅପୂର୍ବ କୀରତି ।
ସହସ୍ର ସହସ୍ର ତୀର୍ଥ-ଯାତ୍ରିଗଣ,
‘ଜୟ ଜଗନ୍ନାଥ’ କରି ଉଚ୍ଚାରଣ,
ଶତ ବାଧା ବିଘ୍ନ କରି ଅବହେଳା,
ଜଗନ୍ନାଥ ସ୍ୱାମୀ ନାମେ ବାନ୍ଧି ଭେଳା,
ଭୁଲି କ୍ଷୁଧା-ଜ୍ୱାଳା ଭୁଲିଣ ପିପାସା,
ଭୁଲି ପଥଶ୍ରମ ଧରି ଏକ ଆଶା,
‘ଜୟ ଜଗନ୍ନାଥ’ ଗୀତ ଗାଇ ଗାଇ,
ତୋହରି ଆଡ଼କୁ ଯାଉଛନ୍ତି ଧାଇଁ ।
ସାମ୍ୟବାଦିତାର ଉଡ଼ୁଛି, ନିଶାଣ;
ପଣ୍ତିତ ପାଷଣ୍ତ ସକଳେ ସମାନ ।
ବ୍ରାହ୍ମଣ ଚଣ୍ତାଳ ବସି ଏକାସନେ
କରନ୍ତି ଆହାର ଆନନ୍ଦିତ ମନେ ।
ଜାତି ଧର୍ମ ର୍ବିଶେଷେ ସର୍ବଜନ
ଏକାଧାରେ ବସି କରନ୍ତି ଭୋଜନ ।
ଶ୍ରୀହସ୍ତ ବଢ଼ାଇ ଜଗତ ଗୋସାଇଁ
ପାପୀଙ୍କୁ ଡାକନ୍ତି ନିସ୍ତାରିବାପାଇଁ ।
ଧନ୍ୟରେ ଶ୍ରୀକ୍ଷେତ୍ର ତୋର ବଡ଼ପଣ
ଉତ୍କଳ ମାତ ର ତୁହି ସାର ଧନ ।
ତୋଲାଗି ଉତ୍କଳ ବିଖ୍ୟାତ ଜଗତେ,
ନୋହିଲେ ରହିଣ ଥାଆନ୍ତା ଗୁପତେ ।
ଜାଗୁ ଏ ଉତ୍କଳ ତୋ ଧର୍ମ କୁହାଟେ,
ଚାଲନ୍ତୁ ସରବେ ଏବେ ସତ ବାଟେ ।
ତୋର ସାର ଶିକ୍ଷା ଶିଖା ଉତ୍କଳରେ,
ତରନ୍ତୁ ଓଡ଼ିଆ ତୋ ଧର୍ମ-ବଳରେ ।
ଫାସିଦିଆବର
* ଏହି ବରଗଛଟି କଟକ ମହାନଦୀ କୂଳରେ ଅବସ୍ଥିତ । କିମ୍ବଦନ୍ତୀ ଅଛି ମରହଟ୍ଟାମାନଙ୍କର ରାଜତ୍ୱ କାଳରେ ପ୍ରାଣଦଣ୍ଡାଜ୍ଞା ପ୍ରାପ୍ତ ସାଧାରଣ ଅପରାଧୀ ଏବଂ ବିପକ୍ଷ ବନ୍ଦି ସୈନ୍ୟ (ଉତ୍କଳୀୟ ଏବଂ ପଠାଣ) ମାନଙ୍କୁ ଏହି ଗଛରେ ଫାଶି ଦିଆ ଯାଇଥିଲା ।
ହେ ତରୁବର ତୁହି ଅନନ୍ତ କାଳୁଁ,
ହୋଇଣ ଛିଡ଼ା କେତେ ଝଡ଼୍ସମ୍ଭାଳୁ ।
ସଂସାର କ୍ଷେତେ ଯେହ୍ନେ ସୁସ୍ଥିର ଜନ;
ସହଇ ନାନା ବାଧା ବିଘ୍ନ ତାଡ଼ନ ।
ମହାନଦୀ ସୈକତ ଶୁଭ୍ର ପ୍ରାନ୍ତରେ
ସହୁଛୁ କେତେ ବାତ୍ୟା ଅବିଶ୍ରାନ୍ତରେ ।
କେଉଁ ଅପୂର୍ବ ଦେଶେ ଲୟ ଲଗାଇ,
କାହିଁରେ ଲେଶ ତୋର ଭ୍ରୂକ୍ଷେପ ନାହିଁ ।
ଏ ସ୍ରୋତସ୍ୱିନୀ ଧୋଇ ତୋ ପଦତଳ;
ସାଗର କୋଳେ ଢାଳି ଦେଉଛି ଜଳ ।
କେତେ ମାନବ ତଥା ତୋହରି ଅଙ୍ଗେ;
ଜୀବନ ସ୍ରୋତ ଢାଳି ଦେଲେରେ ରଙ୍ଗେ ।
ତୋ ଅଙ୍ଗେ ସାଙ୍ଗ କଲେ ଇହ ଜନମ;
ଲଭିଲେ ଚିର ସୁଖ ଶାନ୍ତି ଆଶ୍ରମ ।
ଦୁସ୍ତର ଭବେ ହୋଇ ତୁ କର୍ଣ୍ଣଧାର,
ଜୀବନ-ତରୀ କଲୁ ତାଙ୍କର ପାର ।
ପାପ ତାପେ ଯାହାର ପୋଡ଼ୁଛି କାୟା,
ତୁ ତାଙ୍କୁ କଲୁ ସିନା ପ୍ରଦାନ ଛାୟା ।
ନରହନ୍ତା ଦୁର୍ବୃତ୍ତ ଘୋର ନାରକୀ,
ପାପ ବଜାରେ ପ୍ରାଣ ଦେଇଣ ବିକି ।
ପାରିଲେ ନାହିଁ କାହିଁ ମୁଖ ଦେଖାଇ,
ଘୃଣାରେ ବିଶ୍ୱଯାକ ଦେଲେ ଗୋଡ଼ାଇ ।
ପାଇଲେ ନାହିଁ ସାରା ସଂସାରେ ସ୍ଥାନ,
ତୁ ତାଙ୍କୁ କଲୁ ସିନା ଆଶ୍ରୟ ଦାନ ।
ସ୍ୱାଧୀନତା-ଗୌରବ ରଖିବାପାଇଁ,
ସୁନା-ଶିକୁଳି ଗଳେ ପିନ୍ଧିଲେ ନାହିଁ ।
ଜୀବନ ବଳି ଦେଲେ ତୋର ଶରୀରେ,
ସ୍ୱଦେଶ ପାଇଁ କେତେ ଓଡ଼ିଆ ବୀରେ ।
ତୋ ମୂଳେ ହୃଦରକ୍ତ କରି ତର୍ପଣ
ରଖିଲେ ପିତୃ-ଯଶଃ ନିଜର ପଣ ।
ସେ ସବୁ ବୀରଗଣ ଗଲେହେଁ କାହିଁ;
ଦୁର୍ବଳ ଓଡ଼ିଆଙ୍କୁ ଅଛନ୍ତି ଚାହିଁ ।
ଦେଖୁ ତ ଛନ୍ତି ସବୁ ରହି ଆକାଶେ;
ଭାଳୁ କି ନାହାନ୍ତି ସେ ଦେଶ ସକାଶେ ?
କାନ୍ଦୁକି ନାହିଁ ଆଉ ତାଙ୍କ ପରାଣ,
ମାତାର ଶୁଣି ଶୁଣି ବିଷାଦ ଗାନ ?
ଅଥବା ଲଭିବାରୁ ଚିନ୍ମୟ କାୟା !
ଭୁଲିଣ ଗଲେ ସବୁ ସଂସାର ମାୟା ।
ଜନନୀ ଅତିଶୟ ଦୁଃଖେ କାତର;
ପଡ଼ୁକି ନାହିଁ ମନେ ଥରେ ମାତର ?
ଥରେ ଓହ୍ଲାଇ ଭଲା ଆସନ୍ତୁ ତଳେ;
ଭସାନ୍ତୁ ବଂଶଧରେ କରମ-ଜଳେ ।
ସ୍ମରନ୍ତୁ ଓଡ଼ିଆଏ ନିଜ ଗୌରବ;
ଲଭନ୍ତୁ ନିଜ ହସ୍ତେ ପୂର୍ବ ବିଭବ ।
ତାଙ୍କ ଶୋଣିତେ ବୃଦ୍ଧି ଲଭିଛୁ ପରା ?
କହ ରେ ତରୁବର କହ ରେ ତ୍ୱରା ।
ମେଣ୍ଟିକି ନାହିଁ ରକ୍ତ ପିପାସା ତୋର ?
ତେଣୁ ହୋଇଛୁ ଛିଡ଼ା ବିଷାଦେ ଘୋର
ପାପ ପୁଣ୍ୟର ଛବି ତୋହ ଦର୍ଶନେ;
ଯୁଗପତ ଅଙ୍କିତ ହୁଅଇ ମନେ ।
ବସନ୍ତ ଉତ୍ସବ
ବାଜରେ ଭାରତୀ ବୀଣା ଭାରତ-ଭୁବନେ
ଚାରିଦିଗେ ବାଜି ଉଠୁ ସେ ବିଣା ଝଙ୍କାର
ସ୍ଫୁରି ଉଠୁ ସେହି ତାନ ଗଗନେ ଗଗନେ
କଣ୍ଠେ କଣ୍ଠେ ଅହର୍ନିଶି ଶୁଭୁ ଅନିକାର ।
କିମ୍ପାଇଁ ଆସିଲ ମା ଗୋ ଏ ଦିଗ୍ଧ ପ୍ରଦେଶେ ?
ଅଜ୍ଞାନ ରଜନୀ ଜ୍ଞାନ ଦେଲାଣି ଗୋ ଘାରି;
ଆସିଲ କି ମାତଃ ଏବେ ନିଶି ଅବଶେଷେ,
ପ୍ରଭାତ ମଙ୍ଗଳ ଭୀତି ଉଚ୍ଚାରି ଉଚ୍ଚାରି ?
ଯେତେ ବା ଆସିଲ ତେବେ ଶୁଣାଅ ଶ୍ରବଣେ
ଅତୀତ ଗୌରବ ଗାଥା ଭାରତରେ ଥରେ,
ଢାଳି ଦିଅ ଜ୍ଞାନ ଉତ୍ସ ସୁଧା ପ୍ରସ୍ରବଣେ,
ଜାଳି ଦିଅ ପ୍ରଦୀପ ଗୋ ଭାରତ-ବକ୍ଷରେ,
ବସନ୍ତ-ଉତ୍ସବେ ମାତୁ ଭାରତ-ହୃଦୟ
କୋକିଳ କୂଜନ ଶୁଭୁ ଦିଗ ଦିଗନ୍ତରେ ।
ଫୁଟୁ ଫୁଲ, ତହୁ ମନ୍ଦ ବସନ୍ତ ମଳୟ,
ଜାଗି ଉଠୁ ଜ୍ଞାନ ଜ୍ୟୋତି ଅନ୍ତରେ ଅନ୍ତରେ ।
ଦେଖିଥିଲା ଯେଉଁ ଦୃଶ୍ୟ (୧) ମୋ ମୁଗ୍ଧ ନୟନ
ଚାହିଁଥିଲା ଚକିତ ରେ ଦିନେ ।
ଅମଳ, ଧବଳ, ନୀଳ-ରେଖାବଳୟିତ
କାଠଯୋଡ଼ିସକତା-ପୁଲିନେ ।୧।
(୧) ଶ୍ମଶାନରେ ରାଧାନାଥଙ୍କର ଚିତାନଳ । ରାଧାନାଥ ଓ ମଧୁସୂଧନ ଉଭୟଙ୍କ ସତ୍କାର କାଳରେ ଲେଖକ ସତୀଚଉରା ଶ୍ମଶାନରେ ଉପସ୍ଥୀତ ଥିଲେ ।
ଜଗତ ହସାଇ ଚାରୁ ଅରୁଣ କିରଣ
ବିଶ୍ୱ ଭୂମଣ୍ଡଳ ହେଲା ଛାଇ
ଝକ ଝକ ବହ୍ନି ଶିଖା ରଞ୍ଜିତ ବରଣ
ତାହା ସଙ୍ଗେ ମିଶିଗଲା ଯାଇ ।୨।
ପରଦା ତୋଳିଲେ ପଛେ ନୀଳଗିରିମାଳା
ପ୍ରକୃତିର ନୀଳିମା ବିଭବେ
ଚିତା ଭେଦି ମହାସତ୍ତା ନୀଳ ଧୂମ ରୂପେ
ମିଶିଗଲା ମହା ନୀଳ ନଭେ ।୩।
ଏହି ମହାମିଳନର ସାକ୍ଷୀଥିଲା ଦୂରେ
ଭଗ୍ନଚୂଳ ଦୁର୍ଗ ବାରବାଟି
ଚିର ବିରାଜିତ କାଠଯୋଡ଼ି ସ୍ରୋତ-ପଠା
ଆଉ ପୁତ ବିଡ଼ାନସି ମାଟି ।୪
ସେହି ଦୃଶ୍ୟ ଅନ୍ୟାକାରେ ଆସିଲା ଲେଉଟି
ମୋ ଚକିତ, ସ୍ତମ୍ଭିତ ପରାଣେ
ସେହି ମହାମିଳନର ଗମ୍ଭୀର ସମ୍ଭାର
ଆଜି ପୁଣି ନେତ୍ରେ ସନ୍ନିଧାନେ ।୫।
ବ୍ରହ୍ମାଣ୍ଡର ମୋହ ଅନ୍ଧକାର ଗଲା ତୁଟି,
ଖରକର ବରଷିଲେ ରବି,
ଚୌଦିଗେ ଉଠିଲା ଜଳି ସହସ୍ର ଦେଉଟି
ପ୍ରକଟିଲା ସତ୍ୟାଲୋକି ଛବି ।୬।
ପ୍ରଭାକାଳେ ପୂରିଗଲା ବିଶ୍ୱ ଭୂମଣ୍ଡଳ
ଚରାଚର ଦ୍ୟୁଲୋକ ଭୂଲୋକ
ସେହି ମହା ପ୍ରଭା ପୁଞ୍ଜେ କ୍ଷଣେ ଗଲା ମିଶି
ଜ୍ୟୋତିର୍ମୟ ଉନ୍ମୁକ୍ତ ଆଲୋକ ।
ଯେ ଦୃଶ୍ୟ ଦଶନେ ଗଲେ ନଭୋଗର୍ଭେ ଲୁଚି ।
ଦ୍ୟୁତହୀନ ଜ୍ୟୋତିଷ ମଣ୍ଡଳୀ;
ନିସ୍ତବ୍ଧ ରହିଲେ ଚାହିଁ ବନଷ୍ପତିତୟ
ଦୂରସ୍ଥିତ ପର୍ବତ ଆବଳୀ ।୮।
ସ୍ଫୁରିଲା ଦିଗନ୍ତ ପାରୁଁ ପ୍ରଶାନ୍ତ ସଙ୍ଗୀତ
ପ୍ରସରିଲା ବିଶ୍ୱରେ ଅପାର
ଶୁଭିଲା ଚୌଦିଗେ, ଅହୋ, ସମ ତାନ ଲୟେ
କି ଗମ୍ଭୀର ଓଁ କାର ଝଙ୍କାର ।୯।
କେତେଦିନ ରହନ୍ତା ବା ବଦ୍ଧ ମହାପ୍ରାଣ
ସଂସାରର ଏ ଜଡ଼ ବନ୍ଧନେ ?
ପୁଣ୍ୟମୟ ନିରିମଳ ସୂକ୍ଷ୍ମ ଆତ୍ମା ତବ
ଉଡ଼ିଗଲା ସ୍ୱଭାବ ଗମନେ
ଅନନ୍ତ ସେ ଉନ୍ମୁକ୍ତ ଗଗନେ ।୧୦।
‘ସଂସାରର ପାପପଙ୍କେ’ ଲଭିଣ ଜନମ
ଉଠିଥିଲ ଭେଦି ଆବିଳତା;
ପଦ୍ମ ପ୍ରାୟ ଜଳେ ଥାଇ ନ ଛୁଇଁଲ ଜଳ
ଉପରକୁ ଟେକିଥିଲା ମଥା ।୧୧।
ସଂସାରର ମାୟା ମୋହ, ଅବିଦ୍ୟା ଜଞ୍ଜାଳ
ନ ଥିଲା ହେ ତୁମ୍ଭଙ୍କ ପରଶି,
ଏ ଜଗତେ ରହି, ତୁମ୍ଭେ ଆନ ଜଗତର
ବହୁ ଉଚ୍ଚେ ରହିଥିଲ ବସି ।୧୨।
କେଉଁ ଜଗତରେ କେଉଁ ସୁରଭି ସମ୍ପଦ
ବିଞ୍ଚିଦେଲ ଏ ଜଗତେ ମନ୍ଦେ
ବିଶ୍ୱଯାକ ପୂରିଗଲା ମୁଗ୍ଧ କରି ପ୍ରାଣ
ଧୂପ, ଧୂନା, ଚନ୍ଦନ ସୁଗନ୍ଧେ ।୧୩।
ବିଶ୍ୱ ବ୍ରହ୍ମାଣ୍ଡର ନିତ୍ୟ ଅଖଣ୍ଡ ସଙ୍ଗୀତ
ଶୁଣୁଥିଲ ବିମୁଗ୍ଧ ଅନ୍ତର,
ସେ ମହା ସଙ୍ଗୀତ ସ୍ୱରେ ମିଶାଇଣ ତାର
ଉଚ୍ଚାରିଲ ଗାୟତ୍ରୀ ମନ୍ତର ।୧୪।
ବିଭୁଙ୍କ ନିଦେଶେ ଦେବ ଆସିଥିଲ ଭବେ
ଘେନି ଯେଉଁ ସ୍ୱର୍ଗୀୟ ଉଦନ୍ତ
ଉପାଡ଼ି ନିଜର ହୃଦ ବଜାଇଲା ତନ୍ତ୍ରୀ
ପ୍ଲାବିଗଲା ଦିଗରୁ ଦିଗନ୍ତ ।
ଶୁଣିଲେ ବିସ୍ମୟେ ଯେତେ ବିଶ୍ୱବାସୀବୃନ୍ଦ
ସେ ନିର୍ଘୋଷ ଅନାଦି ଅନନ୍ତ ।୧୫।
କାହିଁ ସେ ଶାଶ୍ୱତ ସତ୍ୟ ସୂକ୍ଷ୍ମ ମହାସତ୍ତା
କାହିଁ ଜଡ଼ ମାନବ ସୃଜନ ।
ଦୁହିଙ୍କର ତୁମ୍ଭେ ଏକା ଥିଲ ସଂଯୋଜକ
ସ୍ୱର୍ଗଦୂତ ବିଶ୍ୱ-ପ୍ରେମଧନ ।୧୬।
‘‘ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି’’
ତୁମ୍ଭେ ଏକା ଜାଣିଥିଲ ତାକୁ;
ସେ ସ୍ରୋତର ଆଗେ ଆଗେ ଯାଉଥିଲ ଧାଇଁ
‘‘ମୃତ୍ୟୁ ସିନ୍ଧୁ ସଦା ଭେଟିବାକୁ’’ ।୧୭।
ଯେବେ ଯେଉଁ ବାଧା ବିଘ୍ନ ଭେଟୁଥିଲ ବାଟେ
ତହୁ ଥରେ ଗଗନେ ଅନାଇ
‘‘ପ୍ରଚଣ୍ଡେ ଗରଜି’’ ତାଡ଼ି ଫିଙ୍ଗିଦେଲ ସବୁ
ହୃଦୟରେ କି ଅଭୟ ପାଇ ।୧୮।
ଜାଣିଥିଲ ‘‘ଧୂଳିର ଏ ମର କଳେବର’’
ଭଙ୍ଗୁର ଏ ଭବ ରଙ୍ଗସ୍ଥଳେ
ସେ ଅନନ୍ତ ମହେଶ୍ୱର ଏକା ସତ୍ୟ ନିତ୍ୟ
ଚାହିଁଥିଲ ତାହାକୁ ନିଶ୍ଚଳେ ।୧୯।
ଦିବ୍ୟ ଚକ୍ଷୁ ଫେଇ ଏହି ସଂସାର ଗହଳେ
ମଣୁଥିଲ ବିଭୁଙ୍କର ସତ୍ତା;
ବିଭୁ ପ୍ରେମ, ନର-ସେବା ଜୀବନର ବ୍ରତ
କଲ ଆହେ ମାନବ ଦେବତା ।୨୦।
ଶୈଶବର ଗୁରୁ ତବ ଯୌବନର ସଖା
ରହି ସେହି ମହା ପ୍ରାଣ * ପାଶେ;
ଚାହିଁ ଦେଖୁଥିବ ସେହି ‘‘ଅନନ୍ତ ଅପାର
ଗମ୍ଭୀର ସେ ପ୍ରଶାନ୍ତ ଆକାଶେ’’ ।୨୧।
*ରାଧାନାଇ ।
ଦେଖିବ ପ୍ରଭାତ ସନ୍ଧ୍ୟା ପ୍ରକୃତିର ଖେଳ
କେତେ ଲୀଳା ଳୀଳାମୟଙ୍କର
ସୁନ୍ଦର, ବିଚିତ୍ର, ଶାନ୍ତ, ଗମ୍ଭୀର, ଅନନ୍ତ
ନବ ତବ-ମହା ଭୟଙ୍କର ।
ଦୁଇଜଣ ଦେଖୁଥିବ ଦିବ୍ୟ ନେତ୍ରେ ଚାହିଁ
ଯାହା କିଛି ସୁନ୍ଦର ଉଦାର*
ମଧୁର-ଗମ୍ଭୀର ଲୀଳା ପ୍ରକୃତିର କୋଳେ
କିଏ ସତ୍ୟ, କିଏ ବା ଅସାର
* ରାଧାନାଥ ପ୍ରକୃତିର ସୌନ୍ଦର୍ଯ୍ୟ ଓ ମଧୁସୂଦନ ପ୍ରକୃତିର ଗାମ୍ଭୀର୍ଯ୍ୟ କିପରି ଅନୁଭବ କରୁଥିଲେ ସେଥିପାଇଁ ଏହି କବିତାର ପ୍ରଥମ ଚାରିପଦ ସହିତ ତବନୁବର୍ତ୍ତି ପଦ ତୁଳନା କରି ଦେଖ ।
ଯାଅ ଏବେ ସେହି ପୁଣ୍ୟ ଜ୍ୟୋତିର୍ମୟ ଧାମେ
‘‘ଯହିଁ ଦେବେ ଭୁଞ୍ଜନ୍ତି ଅମୃତ’’
ଚିର ପିପାସିତ, ନିତ୍ୟ ମଙ୍ଗଳ ଆଳୟ
‘‘ପାପ ତାପ ଯହିଁ ପରାଭୂତ’’
ସେ ରାଜ୍ୟେ ଆକାକ୍ଷ୍ଙା କାହିଁ ଇନ୍ଦ୍ରିୟ ସଂଯମ
ନାହିଁ ତଥା ରିପୁର ତାଡ଼ନା,
ଭୀମ ପ୍ରଭଞ୍ଜନ ସଙ୍ଗେ ତୁମୂଳ ସଂଗ୍ରାମ,
ଆତ୍ମ ପର, ବିଷୟ ଭାବନା ।
ନାହିଁ ରୋଗ, ନାହିଁ ଶୋକ, ନାହିଁ ଜରା ମୃତ୍ୟୁ
ଜ୍ୟୋତିମୟ ବ୍ରହ୍ମ ସନାତନ
ସବୁ ଶିବ, ସବୁ ଶାନ୍ତ, ସକଳ ସନ୍ଦର
ପୁଣ୍ୟମୟ ପୂର୍ଣ୍ଣ ନିରଞ୍ଜନ ।
ଯା’ରେ ଯା’ ତୁ ପ୍ରାଣ ବିହଙ୍ଗ ଦିଗ ଦିଗନ୍ତ ପାରେ,
ଶାନ୍ତିଧାମ, ଚିନ୍ମୟ ସେହି ପୁଣ୍ୟ ପ୍ରଦେଶେ ବାରେ ।
ଚିରକାଳ ତୁହି ସୁପ୍ତ ରହିଛୁ ଯୁକ୍ତ କିରଣ ପକ୍ଷ,
ଯା’ରେ ଯା’ ତୁ ପ୍ରାଣ ବିହଙ୍ଗ ଅନନ୍ତେ କରି ଲକ୍ଷ ।
ପାପ, ତାପ, ଦୁଃଖ, ଶୋକ, ହିଂସା, ଦ୍ୱେଷ, କାମ,
ମୃତ୍ୟୁ, ରୋଗ, କଷ୍ଟଭୋଗ, ପୂର୍ଣ୍ଣ ଇହଧାମ,
କେତେକାଳ ଆଉ ରହିଥିବୁ ପଡ଼ି ଆଶ୍ରୟ କରି କାରା ?
ଯା’ରେ ଯା’ ତୁ ବର୍ଷୁଛୁ ଯହିଁ ଅମୃତମୟୀ ଧାରା ।
ବହୁତ ଦିନରୁ ସୁପ୍ତ ରେ ତୁହି ଗୁପ୍ତ ତୋହର ଗାନ,
ସମୀର ସଙ୍ଗେ ରଙ୍ଗେ ରଙ୍ଗେ ମୁକ୍ତ କରିଦେ ତାନ ।
ମଳୟ ସ୍ପର୍ଶେ ହର୍ଷେ ହର୍ଷେ ମୁକୁଳିତ ତରୁ ରାଜି,
ପ୍ରକୃତି ଦେବୀ ହର୍ଷେ ବିଭୋରା କୁସୁମ ମାତ୍ରେ ସାଜି ।
ପୂତ-ବାହିନୀ ମନ୍ଦାକିନୀ ବହୁଛି ଧୀରେ ଧୀରେ,
ଯା’ରେ ଯା ତୁ ପ୍ରାଣ ବିହଙ୍ଗ ଯାରେ ତାହାରି ତୀରେ ।
ଭୀଷ୍ମ ମରୁରେ ଗ୍ରୀଷ୍ମ ମଧ୍ୟେ ପିୟୂଛୁ ଅନଳ-ରାଶି ।
ରାଜିତ ତହିଁ ନିହାର ବିନ୍ଦୁ,
ନୃତ୍ୟକାରୀ ଅଚଳ ଇନ୍ଦୁ,
କ୍ଷରିତ ପିୟୁଷ ବିନ୍ଦୁ ବିନ୍ଦୁ,
ବାୟୁ ତରଙ୍ଗେ, ରଙ୍ଗେ ରଙ୍ଗେ, ଯା’ରେ ଯା ତୁ ଭାସି ।
(ଆରେ) ଶାନ୍ତି ଧାମବାସୀ ।
ଯାଅ, ଯାଅ, ହେ ଗଣେଶ, ମୋ ଦୀନ କୁଟୀରୁ
ମୋର ଏ ଭକତି-ହୀନ କ୍ଷୁଦ୍ର ହୃଦଟିରୁ ।
କାହିଁକି ଆସିଲ ଭଲା ମୋ ଶୂନ୍ୟ ଭବନେ,
କିସ ଅଛି, କିସ ଦେଇ ପୂଜିବି ଚରଣେ ?
କେଉଁ ରତ୍ନ ନେଇ ପଦେ ଦେବ ଉପହାର ?
ଦେଖ ମୋ କୁଟୀରେ ପଶି ଖାଲି ଶୂନ୍ୟାଧାର ।
ଦୈନ୍ୟ ହାହାକାରେ ଫାଟି ଯାଉଅଛି ଛାତି,
ଉପବାସେ ନିଜ ଘରେ ପାହୁଅଛି ରାତି,
ପୂର୍ଣ୍ଣ କରି ଦିନେ ସୁଦ୍ଧା ଖାଉନାହିଁ ଗ୍ରାସେ,
କାହିଁକି ଆସିଲ ଭଲା ଦରିଦ୍ର-ଆବାସେ !
ହେ ପ୍ରଭୁ, ବସାଇ ଅବା ହୃଦୟ-ଆସନେ
ପୂଜନ୍ତି ଶ୍ରୀପଦ ତବ ଭକତି-ଚନ୍ଦନେ ।
ପ୍ରେମର କୁସୁମେ ପଦେ ଦେଇ ପୁଷ୍ପାଞ୍ଜଳି
ଘେନନ୍ତି ମସ୍ତକେ ତବ ଶ୍ରୀଚରଣ-ଧୂଳି ।
ପ୍ରେମ-ଭକ୍ତି-ହୀନ କଠୋର ହୃଦୟ
ଜ୍ଞାନ-ଦୀପ୍ତି-ଶୂନ୍ୟ, ଅନ୍ଧକାର-ମରୂମୟ ।
ନେଲଣିତ ଶରୀରର ରକ୍ତ ଶୁଣ୍ଢେ ଶୋଷି,
ଚୋରାଇ ନେଲଣି ଧନ ମୂଷାଟିକୂ ପୋଷି ।
ତୁମ୍ଭର ସେ ସ୍ଥୂଳ ବପୁ ଧାରଣେ ଅକ୍ଷମ,
ସେ ଉଦର ପୁରଣେ ବା କାହିଁ ଆମ୍ଭ ଧନ ?
ବସାନ୍ତି ବା ହୃଦେ, ହୃଦ ପ୍ରସାରଣ କିଛି;
ପ୍ରସରିବି କାହୁଁ ! ସଂକୀର୍ଣ୍ଣତାରେ ବୁଡ଼ିଛି ।
ଭିଡ଼ିଛି ଦାରୁଣ ଲୌହ ନିଗଡ଼ରେ ଅତି;
ଛିଡ଼ିବାକୁ ସେ ବନ୍ଧନ ନାହିଁତ ଶକତି ।
ସେ ଦେଶକୁ ଯାଅ ଚାଲି, ଯେ ଦେଶ ପ୍ରଧାନ
ଯେ ଦେଶ ଗୌରବମୟ, ଉଦାର, ମହାନ,
ଯହିଁ ଅଛି ସ୍ଫୂର୍ତ୍ତି, ତେଜ, ଶକତି, ଉଦ୍ୟମ,
ଯେ ଦେଶେ ଅସୀମ ଲକ୍ଷ୍ୟ ଅନନ୍ତ କରମ,
ଯହିଁ କେବେ ପଡ଼ିନାହିଁ ବିସ୍ମୃତିର ଛାୟା,
ଯହିଁ ପୂର୍ଣ୍ଣ ପ୍ରେମ, ଦୟା, ସ୍ନେହ, ପ୍ରୀତି, ମାୟା,
ସମବେଦନାର ସୂତ୍ରେ ଗ୍ରଥିତ ସରବେ,
କମ୍ପୂ ନାହିଁ ବସୁନ୍ଧରା ‘‘ହାହୁତାଶ’’ ରବେ ।
କୁସଂସ୍କାର-ଅନ୍ଧକାରେ ଆବୃତ ଏ ଦେଶ,
ସହାନୁଭୂତିର ଯହିଁ ଦେଖାନାହିଁ ଲେଶ ।
ସ୍ୱାର୍ଥ, ସ୍ୱାର୍ଥ, ସ୍ୱାର୍ଥ ଅଟେ ଯେ ଦେଶର ପ୍ରାଣ,
ପରଶିରୀ କାତରତା ଯେଉଁଠି ପ୍ରଧାନ ।
ସଂକୀର୍ଣ୍ଣତା ରାଜେ ଯହିଁ, ଶିକ୍ଷାରେ ବିରାଗ,
କେ ବୁଝେ ଆଦର ତହିଁ ତବ, ମହାଭାଗ ?
ସକଳେ ଉନ୍ମତ୍ତ ଯହିଁ ଅହଂକାର ମଦେ
ଶୂନ୍ୟେ ଫେରିଯାଅ ତହୁଁ, ନମୁଛି ଶ୍ରୀପଦେ ।
ଶ୍ରାବଣ ଘନ ଘୋର ଗରଜି
ଧଇରଜ ମମ ନାଶଇ
ପ୍ରଳୟ-ସିନ୍ଧୁ-ଲହରୀ-ସମାନ
ଗଗନ ଆବରି ଆସଇ ।
ଚମକେ ବିଜୁଳି ଘନ ଘନ ଘନ,
ଆକୁଳ ପରାଣ ହୁଏ ଛନଛନ
ଝର ଝର ଝର ବାରି ବରଷଣ,
ଥର ଥର ଥର କମ୍ପିତ ହିଆ,
ଝରଝର ବାଆ ତ୍ରାସଇ ।
କେତକୀ ରେଣୁ ଉଗ୍ର ସୁବାସେ
ନବ କଦମ୍ବ ପୁଲକ ହାସେ
ଅସାର-ସିକ୍ତ ଧରଣୀ-ଶ୍ୱାସେ
ଅତୀତ-ତିମିର-ସୁପ୍ତ-କାହାଣୀ
ନବଜାଗରଣେ ଭାସଇ ।
ଶ୍ୟାମ ଧରଣୀ ହରିତ କ୍ଷେତ୍ର
ହରଇ ଆଜିରେ ବ୍ୟାକୁଳ ନେତ୍ର
ଚାତକ ଶିଖି ହରଷ ନୃତ୍ୟ
ହରଷ ବିଷାଦ ଅଭିନବ ଭାବେ
ହୃଦୟ ମୋର ଶାସଇ ।
ଘନ ଗରଜନ, ବରଷା ପତନ,
ମଣ୍ଡୁକକୁଳ ଧୈବତ ସ୍ୱନ ।
ସରାଳୀ ବଲାକା ତୀବ୍ର ନିସ୍ୱନ,
ଲଳିତ କରୁଣ ବିଶ୍ୱ ସଙ୍ଗୀତେ
ଚିତ୍ତ ବୃତ୍ତି ଗ୍ରାସଇ ।
* ବ୍ୟାସକବି ଫକିରମୋହନଙ୍କ
ହେ କବି, ହେ ଦେବ, ଗୁରୋ, ବାଣୀବର ପୁତ୍ର,
ଉତ୍କଳର ସାହିତ୍ୟ ନାୟକ ।
ସାହିତ୍ୟର ଗନ୍ତା ଘରେ ସୁଯୋଗ୍ୟ ଭଣ୍ଡାରୀ ।
ବାଣୀ-ବୀଣା-ବିଚିତ୍ର-ଗାୟକ ।
ଜଜର ବୁଦ୍ଦୁଦ ପ୍ରାୟ ମାନବ ଜୀବନ,
ଅନ୍ଧକାର ବୁଜି ଦେଲେ ଆଖି ।
ସେ ଜୀବନେ ସମ୍ପାଦିଲ କୋଟି ଜୀବନର
କର୍ମ ତୁମ୍ଭେ ସାଧକ ଏକାକୀ ।
ସଂସାରର ଝଞାବାତ ଘୋର ଆବର୍ତ୍ତନେ
ତିଳେ ମାତ୍ର ନୋହିଲେ କାତର ।
ସେହି ନିଷ୍ଠା, ସେ ତପସ୍ୟା, ସେ ସାଧନା ଆଗେ
ସିଦ୍ଧି ଆଉ କେତେ କା ମାତର !
ଜୀବନର ସୁଖ ଦୁଃଖ ଘୂର୍ଣ୍ଣିପାକେ ପଡ଼ି
ଶିକ୍ଷା କଲ ଯେ ଲୋକ ଚରିତ୍ର,
ହେ ବିନ୍ଧାଣି, କାବ୍ୟରୂପେ ରଖି ଗଲ ତାର
ଜଗତରେ କି ସୁନ୍ଦର ଚିତ୍ର ।
ହୃଦୟର ରକ୍ତଦାନେ ବିଡ଼ିଥିଲ ନିଜେ
ଦୁନିଆର ଯେଉଁ ଗୂଢ଼ ନୀତି ।
ଲୋକ ଶିକ୍ଷା ପାଇଁ ସର୍ବ ପ୍ରକାଶିତ ତାହା
ଦେଖାଇଲ ମାନବର ପ୍ରୀତି ।
ପଥଭ୍ରାନ୍ତ ଆତ୍ମାଙ୍କର ଅପୂର୍ବ ମିଳନ
ଜଗତରେ କିରୂପେ ସମ୍ଭବେ;
ମାନବର କୃତକର୍ମ ନ ଯାଏ ନିଷ୍ଫଳେ,
ପୁରଷ୍କାର ‘‘ପ୍ରାୟଶ୍ଚିତ୍ତ’’ ଭବେ ।
କବିତା-କାନନେ ପଶି ତୋଳି ‘‘ସୂତାଫୁଲ’’
ବାଣୀ-ପଦ୍ମେ ଦେଲ ‘‘ଉପହାର’’
ହେ ପ୍ରେମିକ, ମୁଗ୍ଧ କବି, ଅନୁଭବୀ ବିନା
କେ ବୁଝିବ ମର୍ଯ୍ୟାଦା ତାହାର ।
ଜଗତରେ ଯାହା କିଛି ହେୟ ଅପଦାର୍ଥ
ଦୂରୁଁ ଛିଛିକାର କରେ ନର,
ବିଶ୍ୱାସୀ ପ୍ରେମିକ ନେତ୍ରେ ମହାମୂଲ୍ୟବାନ
ସବୁ ସତ୍ୟ, ଶିବ ଓ ସୁନ୍ଦର ।
ଏହି ତତ୍ତ୍ୱ ଭେଦି ଥିଲ ଅନ୍ତରେ ଅନ୍ତରେ
ଥିଲ ଯେଣୁ ଈଶ୍ୱରେ ବିଶ୍ୱାସୀ
ଆହରିଣ ‘‘ଧୂଳିକଣା’’ ସଜାଡ଼ିଲ ଅର୍ଘ୍ୟ
ଦିବ୍ୟ ଭୋଗ, ପରମ ଉଦାସୀ ।
‘‘ଅବସର ବାସେ’’ ଥାଇ ରୋଗ-ତାପ ଭୂଲି
ଲୟ ଯୋଗେ ନିବେଶିଲ ଚିତ୍ତ ।
ମାନବ ସମାଜେ ଆଣି ଦେଲ ଉପହାର
ତଥି ଲବ୍ଧ ଅପ୍ରମିତ ବିତ୍ତ ।
ଦେବଗୀତା ଭାରତାଦି ମହାଗ୍ରନ୍ଥ ମାନ
ଉତ୍କଳରେ ଭାଷାନ୍ତର କରି,
ଦେଖାଇଲ ଯେଉଁ ଶକ୍ତି କେମନ୍ତ ହେ ତାହା
ଶୀର୍ଣ୍ଣ ଦେହେ ଥିଲ ଦେବ ଧରି ?
ଉତ୍କଳ ଭାଷାର ଘୋର ଦୁର୍ଦ୍ଦିନ ସମୟେ,
ତୁମ୍ଭେସିନା ହେଲ କର୍ଣ୍ଣଧାର,
ଅଦମ୍ୟ ଉଦ୍ୟମେ ମାତି ଆହେ, କର୍ମବୀର
ଅକାଳ ସରଣୁ କଲ ଯାର ।
ନୋହିଲେ ନ ଥାନ୍ତା ଆଜି ଚିହ୍ନବର୍ଣ୍ଣ ତାର
ହୋଇଥାନ୍ତା ସ୍ମୃତି ପୁରାତନୀ ।
ଓଡ଼ିଆ ନାମରେ ଆଉ ପଡ଼ନ୍ତା କି ଗାର
କିଏ କିମ୍ପା ଧରନ୍ତା ଲେଖନୀ ?
‘‘ସଂସାରରେ ଚିରଦିନ ରହି ନାହିଁ କେହି
ଜନମିଲେ ଅବଶ୍ୟ ମରଣ’’
ଏ ଶିକ୍ଷା ଦେଇଛ ତୁମ୍ଭେ, ତେବେ କାହିଁ ପାଇଁ
ବିଷାଦର କିବା ପ୍ରୟୋଜନ ?
ତୁମ୍ଭର ଉତ୍ସାହ ବାକ୍ୟ ପଡ଼ିଛି ଯା କାନେ,
ତହିଁ ତାହା ପ୍ରସବିଛି ଫଳ,
ଉତ୍କଳକୁ ଦେଇଗଲ ଯେଉଁ ବୀଜ ମନ୍ତ୍ର
ସାଧକକୁ ଦେବ ନବ ବଳ ।
ତବ ସ୍ନେହ ଆର୍ଶୀବାଦ ଆଶ୍ୱାସନା ବାଣୀ
କାନେ କାନେ ଉଠୁଅଛି ବାଜି,
ରୋଗ ଶଯ୍ୟା ପରେ ମୋର ଅବଶ ଲେଖନୀ
କ୍ଷଣ ପାଇଁ ଜାଗରିତ ଆଜି ।
ଲଭିଲ ନିର୍ବାଣ ନିଜେ, କିନ୍ତୁ ଉତ୍କଳରେ
ଜାଳିଗଲ ଯେଉଁ ଜ୍ଞାନବତୀ,
ଯୁଗେ ଯୁଗେ ଉତ୍କଳକୁ ଦେଖାଇବ ପଥ
ଭାରତୀର ଅକ୍ଷୟ ଆରତୀ ।
ଯାଅ ଦେବ, କର୍ମମୟ ଜୀବନର ଅନ୍ତେ
ଲଭି ଯାଇଁ ଅଛନ୍ତି ବିଶ୍ରାମ,
ଜୀବନ ସଂଗ୍ରାମ ନାହିଁ, ଚିନ୍ତା, ଦକ, କ୍ଲେଶ ।
ଶାନ୍ତିପୂର୍ଣ୍ଣ ସେ ଅମୃତ ଧାମ ।
ସଂସାରର କୃତଘ୍ନତା ପାପ ତାପ ଭୁଲି
ରୋଗ ଶୋକ ଯନ୍ତ୍ରଣା ପାଶୋରି ।
ସେ ଶାନ୍ତି କାନନେ ବସି ନନ୍ଦନ ଆମୋଦେ
ଗାଉଥିବ ଅମର ବଂଶରୀ ।
* ରାୟ ବାହାଦୂର ସାମାନ୍ତ ରାଧାଚରଣ ଦାସଙ୍କର ପୁତ୍ରଲାଭ ଉପଲକ୍ଷରେ ।
ଆସରେ ଆସରେ ପରାଣ ସଙ୍ଖାଳି
ଆସରେ ଜୀବନ ଧନ,
ଅର୍ଘ୍ୟଥାଳୀ ଧରି ବନ୍ଦାଇ ନିଅଗୋ
ଯତନରେ ପୁରଜନ ।
ଆସରେ ଆସରେ ମୋ ନେତ୍ର ପିତୁଳା
ଆସରେ ନୟନ ତରା,
ଆସିଲାଣି ମୋର ଆନନ୍ଦ ପସରା
ସଙ୍ଖୁଳି ନିଅଗୋ ହରା ।
ଆସରେ ମୋ ଚିର-ଆକାଙ୍କ୍ଷିତ ଧନ
ଆସରେ ହୃଦୟ ନିଧି,
ମୋ କୁଳ-ପ୍ରଦୀପ, ଆସ; ତୋତେ ପରା,
ପଠାଇ ଅଛନ୍ତି ବିଧି ।
ରଖିଛି ମୁଁ ହୃଦେ ସ୍ନେହର ଅମୃତ
ନୟନେ ଆନନ୍ଦ ବାରି,
ବରଷୁ ତୋ ଶିରେ ସେ କଲ୍ୟାଣ ଧାରା
ହୃଦୟ-ଆହ୍ଲାଦ-କାରୀ ।
ଜନନୀ ନୟନୁଁ, ସ୍ତନୁଁ ବହି ଯାଉ
ଶରଧା ପିୟୁଷ ରାଶି,
ଆସରେ ଜନନୀ-ଜୀବର ଜୀବନ
ସେ ସ୍ରୋତରେ ଭାସି ଭାସି ।
ବାଜିଉଠୁ ଏବେ ମଙ୍ଗଳ ମହୁରି
ଶୁଭଶଙ୍ଖ ଉଠୁବାଜି,
ସେ ସୁର ସଙ୍ଗୀତ ତାଳ ଲୟ ସନେ
ନାଚି ନାଚି ଆସ ଆଜି ।
ବହିଆସୁ ଏବେ ମଳୟ ଅନିଳ
ଧୋଇ ନନ୍ଦନର ବାସ ।
ତା’ମୃଦୁ ତରଙ୍ଗେ ଚାରୁଅଙ୍ଗ ଭଙ୍ଗେ
ଦୋହଲି ଦୋହଲି ଆସ ।
ସ୍ୱରଗର ଜୀବ ସ୍ୱରଗ ତରାର
କିରଣ ନୟନେ ଧରି,
ଆସରେ ଓହ୍ଲାଇ ମୋପୁର ଅନ୍ଧାର
ସେ ଜ୍ୟୋତିରେ ଯାଉହରି ।
ଚନ୍ଦ୍ରମା-ଲାବଣ୍ୟ ବଦନରେ ବୋଳି
ଆସରେ ମୋର ଭବନେ,
ଆସ ଆସ ମୋର ନୟନ-ଛବିରେ
ଛବିଳ ଚନ୍ଦ୍ରିକା-ସନେ,
ଜନନୀ-ଜଠରେ ଯେ ପ୍ରତିଜ୍ଞା କଲୁ
କରଯୋଡ଼େ ବିଭୁ ପଦେ ।
ସେ କଥାଟି କେବେ ଭୁଲିବି ନାହିଁଟି
ମାତିଣ ସଂସାର-ମଦେ ।
ଜନନୀ-ଗରଭୁଁ ଭୂମିଷ୍ଠ ହୋଇଣ
କାନ୍ଦିଲ ତୁ ଉଚ୍ଚସ୍ୱରେ,
ଅନ୍ୟଜନେ ଦେଖି ତୋମୁଖ ଚନ୍ଦ୍ରମା
ହସିଲେ ଆହ୍ଲାଦ-ଭରେ ।
ଏପରି କରଣି କରିବୁ ଧରାରେ
ଯେହ୍ନେ ତୋର ଯିବା ବେଳେ
ସକଳେ କାନ୍ଦିବେ, ହସି ହସି ତୁହି
ଚାଲିଯିବୁ ଅବହେଳେ ।
ଏତିକି କଲ୍ୟାଣ, ବିଭୁଙ୍କ ଚରଣେ
ସଦାଥାଉ ତୋର ଲୟ,
ସଂସାର-ଗହନେ ଦେଖାନ୍ତୁ ତୋପଥ
ସେହି ବିଭୁ ଦୟାମୟ ।
ମାଆ ମାଆ ସେ ଦେଶକୁ ଯିବିନାହିଁ ମୁହିଁ ଲୋ,
କିଭଳି ସେ ଦେଶ ମୁ ତ କିଛିଜାଣେ ନାହିଁ ଲୋ ।
ସେ ଦେଶେ କି ନଦୀ-ଜଳ
ଅଟେ ଏଡ଼େ ସୁବିମଳ,
କୁଳୁ କୁଳୁ ଧ୍ୱନିକରି ଯାଉଥାଇ ବହି ଲୋ ?
କେତେ ବର୍ଣ୍ଣ ପକ୍ଷିଗଣ ଉଡ଼ୁଥାନ୍ତି ତହିଁ ଲୋ ?
ସେ ଦେଶେ କି ବହେ ଏଡ଼େ ସୁଶୀତଳ ପବନ,
ଯାହାର ପରଶେ ତୃପ୍ତ ହୋଇବ ମୋ ଜୀବନ ।
ଦେଖିଣ ଉଷା ଆଗତା
ଡାହୁକ ଡାହୁକୀ ତଥା
ଢାଳନ୍ତି କି କହ ମାତଃ, ସୁଧାମୟ ନିସ୍ୱନ ?
ରକ୍ତିମ ଦିଶେ କି ସେହି କାଳେ ପ୍ରାଚୀ-ଗଗନ ?
ସୁନୀଳ ଆକାଶ ଅଛି ସେ ଦେଶେ କି ଏଭଳି ?
ଅଛିକିଲୋ ବିହଙ୍ଗର ପ୍ରାଣାରାମ କାକଳୀ ?
ହେଲାକ୍ଷଣି ସନ୍ଧ୍ୟାକାଳ,
ଲକ୍ଷ ଲକ୍ଷ ତାରାମାଳ,
ସୁବର୍ଣ୍ଣ-ପ୍ରଦୀପ ଭଳି ଉଠୁଥାନ୍ତି ଉଜଳି:
ଖେଳଇ କି ନୂଆ ମେଘ କୋଳେ ଧରି ବିଜୁଳି ?
କହ ମା, କି ଭଳି ସେହି ଦେଶ ତ୍ୱରା କରି ଲୋ ?
ହୋଇବ କି ସେହି ଦେଶ ଆମ ଦେଶ ପରି ଲୋ ?
ବୃକ୍ଷଲତା ସେ ଦେଶର
ଏହିପରି ମନୋହର
ସେଠାରେ କି କହ ଫୁଲ ଫୁଟେ ଏହା ସରି ଲୋ,
ଢାଳେ କି ସେଠାରେ ପିକ ଅମୃତ-ଲହରୀ ଲୋ ?
ସେ ଦେଶେ କି ଜହ୍ନମାମୁଁ ଉଦେ ହୋଇ ଆକାଶେ ?
ସୁଧାଜିଣି ମନୋହର କରରାଜି ପ୍ରକାଶେ ?
ମାତୃ-ସ୍ନେହ ଭ୍ରାତୃ-ପ୍ରେମ,
ବନ୍ଧୁପ୍ରୀତି ଅପ୍ରତିମ,
ଦୟା, ମାୟା, ମମତାଦି ଅଛି କି ଗୋ ସେ ଦେଶେ,
ମାଆ, ମାଆ, ମୁଁ ତ କେବେ ନ ଯିବଇଁ ବିଦେଶେ ।
ଉତ୍କଳଜନନ-ଗୋରବ-ଶିଖର
ଉଜ୍ଜ୍ୱଳ ଜ୍ୟୋତିଷ୍କ, ହେ ଚନ୍ଦ୍ରଶେଖର !
ନିଶାକର ଯଥା ତେଜି ବାରିଦ ପଟଳେ
ବିରାଜଇ କି ଗୌରବେ ଆକାଶ ମଣ୍ଡଳେ,
ହସାଇ ଜଗତବାସୀ, ଜଗତର ଦୁଃଖନାଶି ।
ଢ଼ାଳଇ ପିୟୂଷଧାରା ପ୍ରକୃତିର ଅଙ୍ଗରେ,
ଗାଆନ୍ତି ସକଳେ ତାର ଯଶ ନାନା ରଙ୍ଗରେ ।
ତଥା ତୁମ୍ଭେ; ତଥା ତୁମ୍ଭ କୀରତି ଉଜ୍ଜ୍ୱଳ
ଚଞ୍ଚକିତ କରାଇଲା ସାରା ଭୂମଣ୍ଡଳ ।
ହେ ଅରଣ୍ୟ-କୁସୁମ ! ତୁମ୍ଭେ ଫୁଟିଲ କାନନେ
ଫୁଟି ଝଡ଼ିଥାନ୍ତି ସେହି କାନନ ଗରଭେ ।
କିନ୍ତୁ ଅରଣ୍ୟର ଆହା ! ସୂକ୍ଷ୍ମ ଆବରଣ
ନ ପାରିଲା ଘୋଡ଼ାଇ ସେ ଅପାର ସୌରଭେ ।
ସେ ସୌରଭ ! ଭେଦି ଗିରି-କାନନ-ପ୍ରାନ୍ତରେ
ଚହଟିଲା, ଦେଶେ ଦେଶେ ଦିଗ ଦିଗନ୍ତରେ
ଦେବ ! ତବ ସିଦ୍ଧାନ୍ତ ଦର୍ପଣ
ଦେଖାଇଲା ବିଶ୍ୱେ ଉତ୍କଳର ବଡ଼ପଣ
ଉତ୍କଳ ଅବନୀ ପ୍ରତୀଭାର ଖଣି
ତୁମ୍ଭେ ପୁଣି ଉତ୍କଳର ମଥାମଣି ।
ଜଗତରେ ଶ୍ରେଷ୍ଠ ଉତ୍କଳରତନ
ତୁମ୍ଭେ ପୁଣି ତାର ମଉଳିମଣ୍ଡନ ।
ତୁମ୍ଭେ ଗରବିତ ଜନମି ଉତ୍କଳେ
ଉତ୍କଳ ଜନନୀ ପୁଣି ଗରବିଣୀ
ତୁମ୍ଭପରି ସୂତ ଲଭି ନିଜ କୋଳେ ।
ହେ ଉତ୍କଳମଣ୍ଡନ;
ଦୁହେଁ ଦୁହିଙ୍କର ହେଲ ଗର୍ବର କାରଣ ।
ସାଗରେତ ଦ୍ୱୀପ ଅଛି ମରୁସ୍ଥଳେ ଜଳ,
ପ୍ରାନ୍ତରେ ପାଦ୍ରପ ଅଛି, ମେରୁରେ ଅନଳ,
ତେବେ ଶାନ୍ତି ଅଛି ଏହି ଅଶାନ୍ତି ସଂସାରେ ।
ଅଛିରେ ଆଲୋକ ଏହି ଭୀଷଣ ଅନ୍ଧାରେ ।
ଅଛିରେ ନିହାର-ବିନ୍ଦୁ ଅନନ୍ତ ପାବକେ,
ନନ୍ଦନ-ସୌରଭ ଅଛି ଦୂରନ୍ତ ନରକେ,
ସଂସାର-ମରୁରେ ଅଛି ଶାନ୍ତିର ଝରଣା,
ଗରଳ ସମୁଦ୍ରେ ଅଛି ଅମୃତର କଣା,
ସତ୍ୟ, ଚିଦାନନ୍ଦ ସେହି ମଙ୍ଗଳ କାରଣ,
ବିଶ୍ୱଘାତା, ଜଗତ୍ରାତା, ଅଧମ ତାରଣ
ଚିର, ନିତ୍ୟ, ସନାତନ ଶାନ୍ତିର ଆଳୟ
ସୁନ୍ଦର, ମଧୁର, ଧୀର, ବିଭୁ ଦୟାମୟ
ତାଙ୍କର ଚରଣାମ୍ବୁଜେ ସଦା ଚିତ୍ତ ଥାଉ
ଏ ସଂସାରେ ତହିଁ ଛଡ଼ା ଶାନ୍ତି ନାହିଁ ଆଉ ।
ଆନନ୍ଦ, ଆନନ୍ଦ, ବୋଲି ମଲି ଖୋଜି ଖୋଜି
ଏଣେ ତେଣେ ଅନ୍ଧପରି ଅଣ୍ଡାଳି ଅଣ୍ଡାଳି,
ପ୍ରକୃତ-ଆନନ୍ଦାଧାର-ପରଶ ବରଜି ।
ହୃଦୟେ ନିରାଶା-କୃଷ୍ଣ-ବହ୍ନି-ଶିଖା ଜ୍ୱାଳି ।
ଆନନ୍ଦର ନିକେତନ ବିଭୁଙ୍କ ସଂସାର
ଅଛି କିରେ କେବେ କାହିଁ ନିରାନନ୍ଦବିୁନ୍ଦୁ ?
ଅନନ୍ତ ଆନନ୍ଦମୟ ମହା ପାରାବର
ଶାଶ୍ୱତ, ଚିନ୍ମୟ, ନିତ୍ୟ, ମହାନନ୍ଦ ସିନ୍ଧୁ ।
ଆନନ୍ଦେ, ଆନନ୍ଦେ ଗଢ଼ା ମାନବର ଦେହ ।
ଆନନ୍ଦର ସଂଘର୍ଷଣେ ମାନବ ଜୀବନ ।
ନିତ୍ୟାନନ୍ଦମୟ ଦେଖ, ମାନବର ଗେହ
ଆନନ୍ଦହିଁ ସତ୍ୟ, ଦୁଃଖ ଅଳୀକ ସ୍ୱପନ ।
ଦୁଃଖ କୃଷ୍ଣ ଅଶ୍ରୁ ଅଛି ତୋହରି ଅନ୍ତରେ,
ତୋ ହୃଦୟେ ଅଛି ମଧ୍ୟ ଆନନ୍ଦର ଖଣି;
ଯାହାଇଚ୍ଛା ବାଛିନିଅ ଆପଣା ମତରେ
ସଂସାରକୁ ନିନ୍ଦୁ କିପାଁ ଦୁଃଖମୟ ମଣି ?
ଆନନ୍ଦର ପରଚକ୍ଷୁ ଆକ୍ଷିରେ ଲଗାଇ,
ଆନନ୍ଦ-ଅଞ୍ଜନେ ରଞ୍ଜି ନୟନ ତୋହର
ଦେଖରେ ଦେଖରେ ବାରେ ସଂସାରକୁ ଚାହିଁ
ବିଶ୍ୱଭରା ମହାନନ୍ଦେ ପୂର୍ଣ୍ଣ ଚରାଚର ।
ବିଚ୍ଛେଦ-ସନ୍ତାପ ନାହିଁ ହତାଶା ଦୁର୍ଗତି
ନାହିଁ ଶୋକ ନାହିଁ ରୋଗ ନାହିଁ ମୃତ୍ୟୁ ଭୟ;
ଘୋଷୁଛି ମଙ୍ଗଳମୟ ବିଭୁଙ୍କ କୀରତି,
ଦେଖରେ ବ୍ରହ୍ମାଣ୍ଡଯାକ ଆନନ୍ଦର ଜୟ,
କେଉଁ ଫୁଲ୍ଲ କୁସୁମର ଲାବଣ୍ୟ ନିଗାଡ଼ି
କେ ବୋଳିଛି ଶିଶୁର ଆନନେ ?
ଆସିଛି ଦେବତା କେଉଁ ସ୍ୱର୍ଗରାଜ୍ୟ ଛାଡ଼ି
ଭ୍ରମିବାକୁ ଏ ମର ଭବନେ ?
କେଉଁ ମୁଗ୍ଧ ଚନ୍ଦ୍ରମାର କୌମୁଦୀ ଆହରି
ଲିପିଛି କେ ତାର ଚାରୁ ହାସେ ?
କେଉଁ ସୁର ବୀଣା ତାନ କେ ଦେଇଛି ଭରି
ତା ମଧୁର ମୃଦୁ ମୃଦୁ ଭାଷେ ?
କିଏ ସେ ରଞ୍ଜିଛି ତାର ସୁନ୍ଦର ନୟନ
କେଉଁ ସ୍ନିଗ୍ଧ ସୁଧାରସ ଛାଣି ?
ତରଳ ତାରକା ସମ ସଦା ଛନ ଛନ
ସୁକୁମାର ସରଳ ଚାହାଣୀ ?
କେଉଁ ତଟିନୀ-ତରଙ୍ଗ-ଲଳିତ-ଭଙ୍ଗିମା
ଅଙ୍ଗେ ତାର କେ ଥୋଇଛି ଆଣି ?
ସେ ଶିରୀ ସେ ମାଧୁରୀର ନାହିଁ ତ ସେ ସୀମା
ଅତୁଲ୍ୟ ତା’ ପ୍ରତି ଅଙ୍ଗ ଠାଣି ।
ଆସ ମୋ କୁଟୀରେ ବାରେ
ଗୋ ନିଦ-ରାଣୀ
ସିରି ସିରି ମେଘୁଆ ପବନେ
ଉଡ଼ି ଉଡ଼ି ଧୂସରି ଗଗନେ
ବିଞ୍ଚି ଦେଇ ମେଘାମ୍ବରୀ- ପଣତ-କାନି ।
ଅପରାଜିତା ଫୁଲ ଗଭାରୁ ଝରି
ପଡ଼ୁ ପ୍ରାଙ୍ଗଣେ ମୋର ଫିଟି କବରୀ ।
ତରଳ-ଜଳଦ-କୋଳ-ଦାହିନୀ
ମଳିନ ଜ୍ୟୋତ୍ସ୍ନା ଆବଗାହିନୀ ଗୋ ।
ଶ୍ରାନ୍ତ ନୟନେ ମୋର ଶାନ୍ତି-ବିଧାୟିନୀ
ହରିତ ଶସ୍ପ-ଶେଯ-ଶାୟିନୀ ଗୋ ।
କୋମଳ-ଶ୍ୟାମଳ ଦୁର୍ବାଦଳୋପରି
ନବ କିଶଳୟ ସଜାଇ
ମୋତେ ଦିଅ ଗୋ ବିଛଣା ବିଛାଇ;
ନୀଳ କମଳମାଳ ବକ୍ଷରୁ କାଢ଼
ଲମ୍ବାଇ ଦିଅ ମା ମୋର ଗଳେ ।
ସ୍ନିଗ୍ଧ କଜ୍ଜ୍ୱଳ ଦିଅ ଲଗାଇ
ଅଜଣା ସୁପ୍ତି ଦିଅ ଜଗାଇ
ଅଳସ ଆଖିପତା ପଡ଼ୁ ଗୋ ମାଡ଼ି
ତୋହର ପରଶ-କାଠି ବଳେ ।
କାନ ପାଖେ ଗାଇ ଦିଅ
ନିଦ ପରା ଗୀତ ପଦେ;
ଧୀରେ ଧୀରେ ଅଧ ଅଧ-
ଭାଷେ ପ୍ରେମ ଗଦଗଦେ ।
ବକ୍ଷ ପାଶେ ନିଅ ମୋତେ ଟାଣି,
ମୃଦୁ ଚୁମ୍ବନଟିଏ କପୋଳେ ଥୋଇ
ସକଳ ସନ୍ତାପ ଦିଅ ଧୋଇ
ଆରାମେ ଯାଏଁ ଭୂଲି ଦୁଃଖ କାହାଣୀ ଗୋ ।
ଆସ ମୋ କୁଟୀର ଦ୍ୱାରେ ଗୋ ନିଦରାଣୀ ।
ହୃଦୟ ଉନ୍ନତ୍ତ ହୋଇ କେଉଁ ଆଡ଼େ ଧାଉଁ ?
କି ଉଦ୍ଦାମ ଭାବେ ସଦା ହେଉ ରେ ବିଭୋର ?
କି-ଗତ ପରାଣେ ସଦା ଏକ-ମୁଖୀ ଥାଉ ?
କାହିଁ ସେ ଲାବଣ୍ୟନିଧି ତୋର ମନ-ଚୋର ?
ସେ କିରେ ଉତ୍ତର-ମେରୁ-ଅୟୁସ୍କାନ୍ତ-ମଣି ?
ଆରାଧ୍ୟ ଦେବତା ସେ କି ପ୍ରତି ହୃଦୟର ?
ସେହି କିରେ ତ୍ରିଭୁବନ ସୁଷମାର ଖଣି ?
କବିର କଳ୍ପନା-ସେ କି ମଧୁର-ସୁନ୍ଦର ?
ନାହିଁକି ସ୍ୱରୂପ ତାର ? କଳ୍ପନା ଆଦର୍ଶ
ସେ କି ? ତ୍ରିଭୁବନମୟ ରହି ଅଛି ଭରି ?
ନାହିଁ କିରେ ତାର ରୂପ, ରସ, ଗନ୍ଧ, ସ୍ପର୍ଶ ?
ଇନ୍ଦ୍ରିୟ ଅଗମ୍ୟ; ବାହ୍ୟେ ଧରିବୁ କିପରି ?
ଦିବ୍ୟ ଦୃଷ୍ଟି ଦେଇ କଳି ଅନ୍ତରର ସୀମା,
ଦେଖାରେ ମାନସ ମଧ୍ୟେ ମାନସୀ-ପ୍ରତିମା ।
ସଙ୍ଗୀତ ମୋ ଜୀବନ ସାଥୀ;
ମୋ ଅନ୍ଧ ନୟନ ଆଗେ,
ନାନା ଛନ୍ଦେ, ନାନା ରାଗେ,
ତାହାର ମୂରତି ଜାଗେ, ଦିବସ ରାତି ।
ସ୍ୱପନେ- ମୋ ସନେ ଏକା
ସେ କହେ କଥା ।
ଗୋପନେ- ଗୋପନେ ବୁଝେ
ମରମ ବ୍ୟଥା ।
ସେହି ବନ୍ଧୁ- ସେହି ମୋ ସଖା,
ମୋହର ତାପିତ ପ୍ରାଣେ
ଶାନ୍ତିର ଅମୃତ ଆଣେ
କେତେ କଥା କହି ପ୍ରୀତି-ପୀୟୁଷ ସଖା ।
ଆକୁଳେ ଲୋଡ଼ଇଁ ଯେବେ
ପାଶେ ଆସେ ଧାଇଁ;
ଅସରନ୍ତି ପ୍ରୀତିଦ୍ୱାର ଅବାରିତ, ମୁକ୍ତାତାର
ସଦା ମୋହ ପାଇଁ ।
ତାଳ, ମାନ; ଲୟ ରୂପୀ, ନିତ୍ୟ ନବ ନବ
ମାନସ ମୋହନ ତାର ଚାରୁ ଅବୟବ,
ନାହିଁ ଯାର କଠୋର ତୀବ୍ରତା,
କିନ୍ତୁ ଅଛି ସ୍ନିଗ୍ଧ ମାଦକତା;
ସେ ସୁନ୍ଦର, ସେ ମଧୁର ଛବି
(ମୁଁ) ଅପାର ବିସ୍ମୟେ ମୁଗ୍ଧ ହୃଦେ ଅନୁଭବି ।
ସେ ଝଙ୍କାରେ କେତେ ଶାନ୍ତି, କେତେ ଉନ୍ମାଦନା !
କେତେ ପୁଣି ମଧୁର-ବେଦନା !
ସେ ଆଲୋକେ କେତେ ଶୀତଳତା
ସ୍ପନ୍ଦନେ ସ୍ପନ୍ଦନେ ତାର
ରାଶି ରାଶି ସୁଧା ଧାର
ଝରି ଆସେ, କି ପୁଲକ, କେତେ ପବିତ୍ରତା !
ସେ ପରଶେ ସରସତା କେତେ !
ହର୍ଷ କେତେ, ତୃପ୍ତି କେତେ, କୋମଳତା କେତେ !
ସେ ନିଶ୍ୱାସେ କେତେ ଫୁଲ ଫୁଟେ !
ବିକଶଇ କେତେ କିଶଳୟ !
କେତେ ବହେ ମଧୁଗନ୍ଧୀ ମଧୁର ମଳୟ !
କୁସୁମର ଡେଣା ବିଞ୍ଚି ପ୍ରଶାନ୍ତ ଆକାଶେ,
ଉଡ଼ି ଉଡ଼ି ଆସି ବସି ପାଶେ,
ସଂସାରର ଆବିଳତା, କ୍ଷୁଦ୍ରତାର ପାରେ
ଦୂରେ, ବହୁଦୂରେ ନିଏ ତୋଳି ସ୍ୱର୍ଗଦ୍ୱାରେ ।
ମହାଭାବେ ମଜାଇ ଅନ୍ତର,
କରେ ଚିତ୍ତ ତନ୍ମୟ ବିଭୋର,
ଭୁଲାଏ ରଡ଼ିକେ ମାୟା ମର ଜଗତର ।
ବୁଡ଼ିଯାଏ ସତ୍ତା ଆତ୍ମାରାମେ,
ବିଳସେ ମୁକ୍ତିର ସୋତେ ଚିଦାନନ୍ଦ ଧାମେ ।
କାହୁଁ ତୁ ଆସିଲୁ କହ ଧୁଆଁ
ଦେବାକୁ ମୋ ପରାଣେ ସାନ୍ତ୍ୱନା;
ଦଗ୍ଧପ୍ରାଣ ପୁଣି ବାରେ ଦହି
ହରିବାକୁ ଏ ମର ଯନ୍ତ୍ରଣା ? ୧।
ଢ଼ାଳିବାକୁ ସଞ୍ଜୀବନୀ ସୁରା
ନିଭାଇଣ ଚିତାର ଅନଳ;
ଧୋଇବାକୁ ପାପ, ତାପ ଆଦି
କରି ଦେଇ ହୃଦୟ ବିମଳ ? ୨।
ଆଣିବାକୁ ଦୁଃଖ ଶୋକ ହରା
ନନ୍ଦନର ପ୍ରାଣାରାମ ଶାନ୍ତି;
କାଟିବାକୁ ଚିତ୍ତ ଅବସାଦ
ଧୁମାୟିତ, କୁକ୍ସଟିତ ଭାନ୍ତି ? ୩।
ନାଶିବାକୁ ଅବଶ ପ୍ରତ୍ୟଙ୍ଗୁ
ସଂସାରର କ୍ଳାନ୍ତି ଜର ଜର
କଳଙ୍କିତ ମେଧା ଶାଣିବାକୁ
ତୁହି କିଗୋ ଶାଣୁଆ ପଥର ? ୪।
କ୍ଷୁଧା, ତୃଷା, ଭୁଲା ଗୋ ସୁନ୍ଦରି
ତୋର ଗାଢ଼ ମଦ୍ଦ ଚୁମ୍ବନ
ଚିତ୍ତ ବୃତ୍ତି ମୋହି ଦିଏ କ୍ଷଣେ
ସେହି ମୃଦୁ ମଧୁର କମ୍ପନ ।୫।
ଅଙ୍ଗେ ଯେବେ ଖେଳି ଯାଉ ମୋର
ଶିରା ଶିରା ଧମନୀ ଧମନୀ;
କଳ୍ପନା ଅଗ୍ରତେ ଉଠେ ନାଚି
ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ଅବନୀ ।୬।
ସୁପ୍ତ ଆତ୍ମା ସ୍ଫୁରଇ ପରଶି
ତୋର ସିଗ୍ଧ କିରଣ ବିମଳ;
ପଙ୍କିଳ ହୃଦୟ ସରେ ମୋର
ଫୁଟିଉଠେ କବିତା କମଳ ।୭।
ଜାଗିଉଠେ ଅପୂର୍ବ୍ବ ପୁଲକେ
ମୋ ନୟନତନ୍ଦ୍ରା ବିଜଡ଼ିତ;
ନବ ଭାବେ, ନବୀନ ଉଦ୍ୟମେ
ଚିତ୍ତ ପଦ୍ମ ହୁଏ ବିକଶିତ ।୮।
ବୁଡିଯାଏ ଅସ୍ତିତ୍ୱ ତୋ ଧ୍ୟାନେ
ଅରୂପିଣି, ଅନଙ୍ଗ-ରୂପିଣି;
ସେ କି ଶାନ୍ତି ! କି ଆନନ୍ଦ ସେହି !!
ଧୂଆଁ, ତୁମେ ଜୀବନ ସଙ୍ଗିନୀ ।୯।
ଏ ଜନମେ ସେବି ଅଛି ତୋତେ
ସମ୍ପଦେ, ବିପଦେ, ରୋଗେ, ଶୋକେ;
ମରଣରେ ଧୂଆଁମୟ ଦେହେ
ଯିବି ଚାଲି ନିତ୍ୟ ଧୁମ-ଲୋକେ ।
ରାତିଯାକ ବିନିଦ୍ର ନୟନେ
ଚାହିଁ ଚାହିଁ କଣ୍ଟକ ଶୟନେ,
ଶ୍ରାନ୍ତ ଆଖିପତା କ୍ଷଣେ ଯାଇଥିଲା ଲାଗି,
ଚକିତେ ଚମକି ପୁଣି ଉଠିଲି ମୁଁ ଜାଗି,
ଶୂନ୍ୟ ମନେ, ଉଦାସ ମଗନେ;
ଚାହିଁ ଦେଲି ପୂରବ ଗଗନେ ।
ଗଛ ଉହାଡ଼ରୁ ରବି
ଉଠିଲେ ଉଇଁ ସେକାଳେ ।
ପ୍ରଥମେ ହୋଇଲୁଁ ଦୁହେଁ
ମୁହଁ ଚୁହାଁ ଚୁହିଁ ସକାଳେ ।
ତାଙ୍କ ଆଗେ ଥିଲା ସାରା ଦିନ
ପୂର୍ଣ୍ଣ-
ଗୌରବ ମଣ୍ଡିତ;
ମୋ ଦିନଟା ବିମର୍ଷ-ମଳିନ,
ଶୂନ୍ୟ-
ଲୋତକ ସ୍ତିମିତ ।
ଶାରଦ ଆକାଶେ ଉଇଁ
ଅଇଲେ ଶଶି-ହରଷେ ।
ରଜତ କିରଣ ଛୁଇଁ
ଉଠିଲେ ହସି-ସରସେ ।
ତରୁଲତା, ଫୁଲ ଉପବନ,
ଗିରି, ନଦୀ, ପ୍ରାନ୍ତର କାନନ
ଗାଇଲେ ବିହଗ ରାଜି
ଲୁଚି ଗଛ ଡ଼ାଳରେ-
ମୋହନ ସାଜରେ ସାଜି
ପ୍ରକୃତି ଉଠିଲେ ନାଚି
ଉଠିଲା ସଙ୍ଗୀତ ବାଜି
ସେହି ମଧୁ ତାଳରେ ।
କିନ୍ତୁ,
ବିଶ୍ୱ ବିମୋହନ ସେହି କୁହୁକ ମନ୍ତର
ପରଶି ପାରିଲା ନାହିଁ ମୋ କ୍ଷୁବ୍ଧ ଅନ୍ତର
ମରମ ଅନ୍ଧାର ଭେଦି ଗୋଠିଏ ରଜତ ରେଖା
ହସ ହସ ମୁଖେ ତହିଁ ନ ଦେଲା ଦେଖା,
ନ ଫୁଟିଲା କଇଁଫୁଲ ଗୋଟିଏ-
ନ ଉଠିଲା ବିଷାଦର କ୍ଷୀଣ ସ୍ୱରଟିଏ ।
ଅନନ୍ତ ଯାତ୍ରୀ
ପଣ୍ୟହୀନ ମୋର ଏହି ଜୀର୍ଣ୍ଣ ତରିଣୀଟି
ଅକୂଳ ସାଗରେ ଏକା ଯାଉଅଛି ବାହି,
ଘୂର୍ଣ୍ଣବାୟୁ ଚଉପାଶୁଁ ଦେଉଅଛି ପିଟି,
ନାହିଁ ଲକ୍ଷ, ନାହିଁଶ୍ରାନ୍ତି, ସାହାନାହିଁ କେହି ।
ଆଶା ଓ ନୌରାଶ୍ୟ ମଧ୍ୟେ ଲାଗିଛି ସଂଗ୍ରାମ
ରଙ୍ଗଭୂମି ତହିଁ ପୁଣି ମୋର ହୃଦ ସ୍ଥଳ
ହେଉଛି ଅଶେଷ ଧ୍ୱଂସ,-ସୃଷ୍ଟି ଅବିରାମ
ଅସହ୍ୟ ଯାତନା ସହି ପରାଣ ବିକଳ ।
ଜୀବନ ଓ ମରଣର ସନ୍ଧିସ୍ଥଳେ ମୁଁହି,
ଦେଖୁଛି ଏ ସମରର ଫଳ ଅନିଶ୍ଚିତ,
କ୍ଷଣେ ଏକ ଜିଣେ, ପୁଣି କ୍ଷଣେ ଆନ ଜୟୀ,
ପ୍ରଚଣ୍ଡ ପ୍ରହାରେ ମୋର ଗାତ୍ର ଜର୍ଜ୍ଜରିତ
ଅପାର ଜଳଧି ବକ୍ଷେ ଭାସୁଛି ଆକୁଳେ
ଭୀମ କାଳ ଊର୍ମ୍ମିମାଳ ଘେରିଛି ନିରତେ
ଯାଉ ନାହିଁ ବୁଡ଼ି, କିବା ଲାଗୁ ନାହିଁ କୂଳେ
ଏକାକୀ ଅନନ୍ତ ଯାତ୍ରୀ ଅନନ୍ତର ପଥେ ।
ଦୁଃଖଦିଅ, ଦୁଃଖ ଦିଅ ମୋତେ
ପ୍ରଭୁ ମୋର, ପ୍ରାଣ ମୋର, ହେ ଜୀବନ ସ୍ୱାମୀ !
ଚାହେନା ମୁଁ ଐଶ୍ୱର୍ଯ୍ୟର, ଆନନ୍ଦର ସ୍ରୋତେ
ଭାସିବାକୁ ସଦା, କାଢ଼ି ପୂର୍ଣ୍ଣତାର ପୋତେ
ହରାଇ ତୁମ୍ଭକୁ ନାଥ, ହେ ଅନ୍ତରଯାମୀ !
ଜଗାଅ ଜଗାଅ ହୃଦେ ଉଚ୍ଚ ଅଭିଳାଷ
ନବ ନବ ଆଶା ବଳବତୀ;
(କିନ୍ତୁ) କରିଦିଅ ମୋତେ ନିତ୍ୟ ଅଭାବର ଦାସ,
ପଦେ ପଦେ ରୋଧ କରି ଗତି ।
କରନିଃସ୍ୱ, ଦରିଦ୍ର ଭିଖାରି;
ଅନ୍ନ ବସ୍ତ୍ର କର ମୋତେ ମନା;
କିନ୍ତୁଦିଅ ଅପାର ବାସନା
ଲଭିବାକୁ କୁବେର ଅର୍ଥ;
ତାହା କର ଅର୍ଥପଥେ ବ୍ୟର୍ଥ
ତୁମ୍ଭର ମଙ୍ଗଳ କରଖର ତରବାରି ।
ଲୋଭନୀୟ ଦବ୍ୟ ଯାହା ଜଗତରେ,
ଦିଅ ଥୋଇ ସବୁ ମୋ ଆଖି ଆଗରେ;
କାଢ଼ିନିଅ ହାତ ବଢ଼ାଇଲା କ୍ଷଣି,
ନେତ୍ର ପାଶେ ଆଣି ହଲାଅ ହେ ପୁଣି ।
ଜ୍ୱଳାଅ ହୃଦୟେ ଯଶୋଲିପ୍ସା ଭୟଙ୍କରୀ
ସର୍ବ୍ବକ୍ଷେତ୍ରେ ପ୍ରବେଶର ଦିଅ ଅଧିକାର କିଞ୍ଚିତ କିଞ୍ଚିତ;
ଦୁଇ ନାବେ ପାଦ ଦେଇ ଛିଡ଼ାହେଲା ପରି
ବୁଡ଼ାଅ ମଝିରେ; କରେଁ କାତର ଚିତ୍କାର,
ହୋଇ ସର୍ବତ୍ର ବଞ୍ଚିତ ।
ଯେଉଁ ନାବେ ଗୋଡ଼ ଦେବି ଯାଉ ତାହା ବୁଡ଼ି,
ଯେଉଁ କାମେ ହାତ ଦେବି ଯାଉ ତାହା ପୋଡ଼ି,
ସବୁ ନିଅ କାଢ଼ି,
ଖାଲି ଥାଉ ପଡ଼ି
ବ୍ୟର୍ଥ ହୃଦୟର ହତାଶ କ୍ରନ୍ଦନ;
ତେବେ ସିନା ତବ ବିଜୁଳି ସ୍ପନ୍ଦନ
ସ୍ପୂରିତ ହୃଦୟେ ହେ ବିଶ୍ୱଚନ୍ଦନ !
କର ମୋତେ ରୁଗ୍ନ, କ୍ଳିଷ୍ଟ, ବିକଳ, ଅଥୟ;
କରପ୍ରାଣ ଚିର ହାହା ମୟ;
ଶତଯତ୍ନ, ଶତ ପ୍ରତୀକାର
ନ କରୁ ମୋ ଅଙ୍ଗ ନିରାମୟ ।
ଆଣୁ ପ୍ରାଣେ ଅଶାନ୍ତି ଅପାର
ବ୍ୟର୍ଥ ପ୍ରୟାସର ନିଶ୍ଚେଷ୍ଟିତା,
ବିଫଳତା, ଦୈନ୍ୟ, ବିକଳତା,
ନିର୍ଜ୍ଜୀବତା, କାନ୍ତି, ଅନିତ୍ୟତା,-
ମୃତ୍ୟୁ- (ସେହି ଜଡ଼ତା, ବିଶ୍ରାମ,
କ୍ଳାନ୍ତିହରା ସୁରା ପ୍ରାଣାରାମ) ।
ପୁଣି ଆସୁ କ୍ଷଣେ କ୍ଷଣେ ଜୀବନ ବିକାଶ,
ମୃତ୍ୟୁସନେ ଅନନ୍ତ ସଂଗ୍ରାମ,
କ୍ଷଣେ ଶାନ୍ତି, କ୍ଷଣେ ଦୀର୍ଘଶ୍ୱାସ,
ଯାତନାର ନିତ୍ୟ ହାହାକାର,
କ୍ଷଣେ ଜୟ, କ୍ଷଣେ ପରାଜୟ,
କ୍ଷଣେ ଶାନ୍ତି, କ୍ଷଣେ ଅନିଶ୍ଚୟ,
ଜୀବନ ଓ ମରଣର ସଂଗ୍ରାମ ଅପାର ।।
ଚାହେନା ହେବାକୁ ପ୍ରଭୁ ନିର୍ବ୍ବେଦ, ନିସ୍କାମ,
ଚାହେନା ମୁଁ ଲଭିବାକୁ ଅନନ୍ତ ବିଶ୍ରାମ,
ଚାହେନା ହେବାକୁ ମୋର ବାସନା ପୁରଣ,
ଚାହେନା ଜୀବନ କିବା ଋହେନା ମରଣ ।
ଘେନିଯାଅ ଦେଇଅଛ ଯାହା,
ଦେବ ଯାହା ନ ଦିଅ ହେ ତାହା,
ଘେନିଯାଅ ଐଶ୍ୱର୍ଯ୍ୟ ସମ୍ପଦ,
ନିଅ ଯଶଃ, ଅର୍ଥ, ମାନ, ପଦ;
ପିତା, ମାତ, ଭ୍ରାତା, ଦାରା ସୁତା ସୁତ,
ନ ରହନ୍ତୁ କେହି ଭବେ,
ରହିଲେ ରହନ୍ତୁ ନପଚାରି ମୋତେ,
ଗୋଇଠା ପ୍ରହାରି ଶିରେ ଅବରିତେ,
ଦୂର କରି ଦେଇ ଭସାଇ ଜଗତେ,
ଆହା ବୋଲି ପଦେ ବୋଲିବାକୁ କେହି
ସାହା ନ ରହନ୍ତି ଲବେ ।।
ଜଗତରେ ମୁହିଁ ପ୍ରୀତି କାଙ୍ଗାଳି ଗୋ
ଜଗତରେ ମୁଁହି ସ୍ନେହି ଭିଖାରି;
ପୀରତି ମୋହର ପ୍ରାଣ ସଙ୍ଖାଳି ଗୋ
ପ୍ରୀତିଲାଗି ବହେ ନୟନବାରି ।
ସେହି ସ୍ନେହ ପ୍ରୀତି କର ମୋତେ ମନା;
ମଣନ୍ତୁ ଆତ୍ମୀୟ ଅଚିହ୍ନା ଅଜଣା;
ଚିରବନ୍ଧୁ କରୁ ପଦ ପ୍ରହାର ଗୋ,
ପ୍ରିୟ ମିତ କରୁ ଦୂରୁଁ ଜୁହାର ଗୋ,
ହସନ୍ତୁ ସଂସାର ସାରା,
କାନ୍ଦି କାନ୍ଦି ବୁଲେ ବାର ଦୁଆରେ ଗୋ,
ବୁହେଇ ଲୋତକ ଧାରା ।।
ମୋ ନାମେ ଜଗତ କରୁ ଭ୍ରୁକୁଞ୍ଚିତ,
କରୁ ମୋତେ ଉପହାସିତ, ନିନ୍ଦିତ,
ପରପଦ ତଳେ ଲୋଟୁ ମୋ ମଥା
ଦିନ ଯାଉ ମୋର ପର ପଦେ ସେବି
ସହି ପର କୁଟ କଥା ।
ଅବମାନନାର ଛତା ଟେକି ଶିରେ
ଘୁରାଅ ହେ ଦେଶେ ଦେଶେ,
ତାଡ଼ନା, ଭର୍ତ୍ସନା କରି ଗଣ୍ଠିଧନ
ବୁଲିବି ଉଦାସ ବେଶେ ।
ପୀଡ଼ିତ, ଦଳିତ, ମଥିତ, ପେଷିତ,
ଭାଙ୍ଗିଯାଉ ମୋର ହୃଦୟ ଇଷିତ,
ଝରୁ ବୁକୁଁ ରକ୍ତଧାର ।
ହତାଶା ବହ୍ନିରେ ପୋଡ଼ି ହୋଇ ହେଉ
ଉସ୍ମିଭୂତ, ଛାରଖାର ।
ନ ରହନ୍ତୁ କେହି ଏ ମହୀ ମଣ୍ଡଳେ
ଚାହିଁବାକୁ ଟେକି ଦୁଇ ଆଖି,
ଏତିକି ମୋହର ପ୍ରାଣର ବାସନା
ଅନ୍ତର୍ଯ୍ୟାମୀ ତୁମ୍ଭେ ତାର ସାକ୍ଷୀ ।
ସେକ୍ଷଣେ ଯେବେ ମୁଁ ଅତି ଆରତରେ,
କାହିଁ ଅଛ ବୋଲି ଡାକିବି କାତରେ,
ହେ ପିତା, ହେ ମାତା, ହେ ବନ୍ଧୁ ହେ ଭ୍ରାତା,
ହେ ଜୀବନ ସ୍ୱାମୀ, ହେ ବିଶ୍ୱ ବିଧାତା,
ସେହି ବ୍ୟାକୁଳତା ପାରିବକି ସହି
ପାରିବକି ତେବେ ଛାଡ଼ି ମୋତେ ରହି ?
ସେ ଆହ୍ୱାନ ଲଙ୍ଘିନ ପାରିବ ଛଳି
ଆସନ ତୁମ୍ଭର ନିଶ୍ଚେ ଯିବ ଟଳି ।
(ତେବେ ମଧୁର ବେଶେ ଆସିବ ଧାଇଁ
ଦେବ କେତେ ସାନ୍ତ୍ୱନା
(ତବ) ମୋହନ କର ପରଶ ପାଇ
ଘୁଞ୍ଚିଯିବ ଯନ୍ତ୍ରଣା ।
କହିବ ମୋତେ ମଧୁର ବାଣୀ
ଚିର ଦୁଃଖ ପାସୋରା,
ଢ଼ାଳିବ ମୋର ଶିରେ ଆଣି
ଶାନ୍ତି ସୁଧା ପସରା ।
ସେ ରୂପ ରଖିବି ମୁଁ ନୟନେ ନୟନେ,
ବିଭୋରେ ଦେଖିବି ମୁଁ ଜାଗ୍ରତେ ଶୟନେ ।
ପୂର୍ଣ୍ଣହେବ ହୃଦୟ ମୋର
ନନ୍ଦନର ସଙ୍ଗୀତେ ।
ତୃପ୍ତହେବ ଅଭିଶପ୍ତ
ଆତ୍ମା ତବ ଇଙ୍ଗିତେ ।
ଭାସିବ ମୋ ନୟନ ସରେ
ସେ ସୁନ୍ଦର ମୂରତି,
ନାଶିବ ସେ ପ୍ରେମ ରସରେ
ପରାଣର ଆରତି ।
ତୁଟି ଯିବ ସବୁ ଭାନ୍ତି ଗୋ
ଫୁଟିଲେ ନୟନେ କମନୀୟ କାନ୍ତି
ଭଙ୍ଗା ବୀଣା ପୁଣି ଉଠିବ ଝଙ୍କାରି
ଲଭିବ ଶାନ୍ତି ଶାନ୍ତି ଶାନ୍ତି ଗୋ ।