ସଙ୍ଗୀତ ସାର

ସଙ୍ଗୀତ ସାର

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ଆରତି

ଜୟ ଜୟ ଅମ୍ବିକେ, ମୁଣ୍ଡମାଳିକେ ।

କାଳୀ କପାଳିକେ, ଶୁମ୍ଭ ନାଶିକେ ।

ଶୁଭେ ଶୁଭ ଆରତି ମଙ୍ଗଳ ବାଜେ

ତାଣ୍ଡବ ନାଚେ, ଶ୍ୟାମା ସୁନ୍ଦର ସାଜେ ।

 

ଚଣ୍ଡି ନାଚେ ଦ୍ରିମି ଦ୍ରିମି ନାଚେ ଚାମଣ୍ଡା

ଜୟ ଶିବେ ଶଙ୍କରି ହାର ଶିର ଗଣ୍ଡା ।

ଭକ୍ତ ମନ ପୂର୍ଣ୍ଣ କର ଶଙ୍କର ନାରି ।

ପ୍ରଣମୁ ଚରଣେ ତବ କାଳି କରାଳି ।।

(ମିଳନ ମାଧୁରୀ)

 

 

 

ରାଗ ଇମନ୍‌ ମିଶ୍ର-ଚଉତାଳ

ଗଞ୍ଜିତ କରି ରଞ୍ଜିତ ଗତି

ଗୁଞ୍ଜ ତ କା’ର ଚରଣ ନୂପୁର ।

ମଦ ଗର୍ବେ ଗର୍ବିତ ଅଳି

ନନ୍ଦି କରେ କୁଞ୍ଜ କୁଟୀର ।।

 

କମ୍ପିତ ତନୁ କାମେ ଜର ଜର

ଅଙ୍କିତ ମୁଖେ କାମ ଚାରୁ ଶର

ସିନ୍ଦୂର ନବ ବିନ୍ଦୁ ମଧୁର

ଭୁବନ ମୋହିନୀ ତବ ଶିର ପର ।।

 

ରାଗ-ଖମ୍ବାଜ-ଧିମାତେତାଲା

କେତେ ଚାନ୍ଦ ରାତି            ନିରାଶେ ପାହିଛି

କାହିଁ ମନ ଚୋର ରେ ।।

ଜ୍ୟୋତ୍ସ୍ନା-ହସିତ ଗଗନର ତଳେ

ଚାହିଁ ଆକ୍ଷିପତା ଢଳିଛି ବିରଳେ

ପ୍ରଭାତ ସମୀରେ                  ମରମ ନିଃଶ୍ୱାସ

ମିଶେ ବାର ବାର ରେ ।୧।

 

ଝରିଛି ଫୁଟିଛି କେତେ ବା ଫୁଲ

ଫୁଲ ସେଜ ସାଜି ପ୍ରାଣ ଆକୁଳ

ନିଶି ନିଶି ଜାଗି,                  ବସିଛି ଅଭାଗୀ,

ଏ ଜୀବନ ଭାର ରେ ।୨।

 

କାନନେ ଡାକିଲେ ସୋହାଗେ ପକ୍ଷୀ

କେତେ ବାର ପଥେ ଚାହେଁ ଚମକି

କେ ଆସଇ ଭାଳି            ଦିଏ ମନ ଢାଳି

ବନ୍ଧୁ ଦଗାଦାର ରେ ।୩।

 

ରାଗ-ଭୈରବୀ । ତାଳ-ପଞ୍ଚମ ସଓ୍ୟାରୀ

ନୟନେ ନୟନେ ଦେଖା ସେ ଦେଖା ମୋ ନାହିଁ ମନେ

ସ୍ୱପନେ ମଧୁ ଚୁମ୍ବନ, ସେ ଗୋ ମନେ ଥିଲା ଦିନେ ।।

କହିଛି ମଧୁର କଥା

ଲାଗିଥିଲା ପ୍ରାଣେ ବ୍ୟଥା

ସାକ୍ଷୀ ଏ ନୟନ ତାରା, ନୀର ଧାରା ଏକା ଜାଣେ ।୧।

 

ଫୁଟିବାର ଦେଖିଛି ମୁଁ

ଲୁଚିବାର ଶୁଣିଛି ମୁଁ

ଦେଖିଛି ଶୁଣିଛି ସବୁ, ମନେ ମୋର ନାହିଁ ଦିନେ ।୨।

 

ପୋଡ଼ିଛି କି ନାହିଁ ଛାତି

ସରିଛି କି ନାହିଁ ରାତି

ସେ କଥା ମୋ ମନେ ନାହିଁ, ଦେଖିଛି ଚାନ୍ଦ ଗଗନେ ।୩।

 

ଖମ୍ବାଜ ମିଶ୍ର । କଓ୍ୟାଲି

ଏ ସଖି ସେ ଏ ଜନମେ ହେବ କି ମୋର

ଜୀବନ ଜନମ ଧରି,            ରହିଛି ମୁଁ ଅନୁସରି,

ଏ ଜନମେ ହେବିକି ମୋର ।୦।

 

କେତେ ଚାନ୍ଦ ନିଶି,            ଗଲାଣି ଗୋ ଭାସି,

ରାଶି ରାଶି ମଲ୍ଲି ପଡ଼ିଲାଣି ଖସି

କାଳ ଗଲା ମୋର,            ବସି ବସି ବସି,

ନଇଲେ ମୋ ମନ ଚୋର ।୧।

 

ନୋହିଲେ ନୋହିବ            ଜୀବ ଗଲେ ଯିବ

ଚାହିଁ ଚାହିଁ ପଥ ନୟନ ରହିବ

ବିରହ ବେଦନା,            ସମୀର କହିବ,

ନୀରବ ନୟନ ଧାର ।୨।

 

ଭୈରବୀ । ଆଡ଼ାଠେକା

ଭୁଲିଗଲ ସଖା,            ଭୁଲିନାହିଁ ଦେଖା,

ଭୁଲି ନାହିଁ ସୁଖ ସ୍ୱପନ ।

ଭୁଲିବି କିପରି            ମିଳନ ମାଧୁରୀ

ଭୁଲିବି ସେ ମଧୁ ଚୁମ୍ବନ ।୦।

 

ଦି’ ଦିନର ସ୍ନେହ            ସୋହାଗ ମମତା

ନିରେ ଛଳ ଛଳ ଏ ଆଖି ପତା

ସ୍ୱପନର ଛବି,            ସେହି ସୁଖ ରବି,

ନାଚେମନେ; ନାଚେମନେ; ନାଚେମନେ, ନାଚେମନେ ।

ନେଲେ ନିଅ ସଖା            ଆଦର ସୋହାଗ

ନିଅ ନାହିଁ ସ୍ମୃତି ମିଳନ ।୧।

 

ସିନ୍ଧୁ-ଠୁମରୀ

ସମୀରଣ, ଆଉ ସଧୀର କାହିଁକି,

ସବୁ ସୁଖ ଏବେ ସରିଲାଣି ଟିକି ।

ଲୁଚିଲାଣି ଛବି ନୟନ ରସିଆ, ଝୁରିମରେ ବନ ଲତାରେ (ଆହା)

ବିଷାଦିନୀ, ବିରହିଣୀ

ଝାଉଁଳି ପଡ଼େ ଦିନୁ ଦିନ ମୋ ସଖୀ ।୧।

 

ମହ୍ଲାର-କଓ୍ୟାଲୀ

କାହିଁ ଫୁଟିଛି ପ୍ରଣୟ ତାରା

(କାହିଁ) କି ବନ ଗହନେ, ବିଜନ କାନନେ,

ଲୁଚିଛି ଗୋପନେ ପ୍ରୀତିହାରା ।

ନାଚତ, ଗାଅତ, ବଂଶୀବଜାଅତ ସୁନ୍ଦର ଗୋପୀ ମନୋହାରା

ଦୁଃଖ ସୁଖ ତୁମେ ସବୁ ହୁନ୍ଦରକାରୀ, ଚାନ୍ଦ ଚକୋର ବାରିଧାରା

(ଏ ବନ୍ଧୁ) ଚାନ୍ଦ ଚକୋର ବାରିଧାରା ।

 

ରାସକେଳୀ-କଓ୍ୟାଲୀ

ବାଂଶରୀ ବାଜେ ମଧୁରେ,

ଆକୁଳିତ ମନ ଚିତ୍ତ ଛନ, ଛନ, ରହିବ କେ ସଖି ଘରେ ।

ରାଧା ନାମେ ବାଜେ ବଂଶୀ

ବ୍ରଜ ପୁର ଧୈର୍ଯ୍ୟଧ୍ୱଂସି

ଚଳ ଲୋ ନାଗରି, ମାନ ପରିହରି, ନିରେଖି କଦମ୍ବମୂଳେ ।

 

ବସନ୍ତ-ଝାମ୍ପତାଳ

ଝନକ ଝଙ୍କୃତ ବୀଣା ଅବିରତ ଝିମିଝିମି-

ବାଜତ ନୂପୁର ଖେଳେ ହୋରି ମନୋହାରି ହରି ।

କାମବାଣ ଖରଶାଣ, ମନ୍ଦ ସମୀରେ

ଆହା ! ଆହା ! ମାରେ କେ ପିଚକାରୀ ।

 

କାଫି-ତେତାଲା

ଋତୁ ବସନ୍ତ ସମୟ-କି ରସମୟ,

ବନ ପିକତାନେ, ନାଚେ ମନେ, ସେ ମୂରତି କମନୀୟ ।୦।

ଚାହିଁଚାହିଁ ସେ ସଜଳ ନୟନେ,

ଫେରି ଫେରି ମଉନେ ଗଲା ଅଭିମାନେ

ତାର ମନର ଖର ବେଦନା ଜାଣିଛି ଏକା ମଳୟ ।୧।

 

ସେଯେ ମଧୁର ନୟନ ଚାଳନେ,

କହେ ଫେଡ଼ି ଆକୁଳ ମୋହରି କାରଣେ

ଲାଖି ରହିଛି ସଜଳ ଆଖି ନୀର ଧାରା ବିନିମୟ ।୨।

 

ସାକ୍ଷୀ ଗଗନ ରବି ଶଶିକର,

ସାର ସ୍ମୃତି ଜୀବନେ ନୁହେଁ ଭୁଲିବାର

ହାର ରତନ ଛାତିର ସାର, ସେ ଚାହାଁଣି ମଧୁମୟ ।୩।

 

ପିଲୁବର୍ମ୍ମ-ଯତ୍‌

ରେ, ବିଦେଶୀୟା; ଆଡ଼େ ଅନାଇଁ ହସି ଯା (ରେ)

ଘଡ଼ିକ ପ୍ରୀତି, ଦେଲାତ ଭୀତି

ଦଣ୍ଡେ ଆଉ ତୁ ବସି ଯା ।୧।

ପାହିଲେ ରାତି, ତାଡ଼ିବ ଛାତି

କାଢ଼ି ମୋଲାଗି ଘସି ଯା ।୨।

ସୁଖେ ତୁ ଯା ଯା, ଆନେ ମୟା ଯା

ଝୁରି ମରିବି ବସି ଯା

 

ଇମନ-ତେତାଲା

ଗରଜି ବାଦଲ ସରଜି, ରେ ବରଷିଲା,

ସାହା କେ ହେବ ମୋର ନାରୀ;-ଅବଳା ।

ଦାମିନୀ ଝଲକେ, ହିୟା ମୋର ଛନକେ

ଛନକେ, ଚମକେ ଛାତି ପ୍ରାଣ ତାତିଲା ।

 

 

ରାଗ-ଝିଂଝିଟ-ତେତାଲା

ସଜଳ ନୟନ ବନ୍ଧୁ; କି କଥା କହିଲା ଆରେ,

କିଜାଣି କି ମନବ୍ୟଥା ମୋର ମନେ ରହିଲା ।୦।

 

ବିଦାୟେ କି ମନେକରି,

ଚାହିଁ କିପାଁ ଫେରି ଫେରି,

ନୟନ କଟାରୀ ମାରି ମନ ଦହିଲା ।୧।

 

ଦିଅ ଧରା ଚାଲି ଯାଅ,

ଚୋରାଇ ମରମ ନିଅ,

ନିଅ ମୋତେ ସଙ୍ଗେ ତେବେ (ଯହିଁ) ପ୍ରାଣ ରହିଲା ।୨।

 

ତିଲକ କାମୋଦ-ତେତାଲା

ଶ୍ୟାମ ନଇଲେ ଘନରାତି

କି ଆଗୋ ଦୂତି, ବରଷାରସାର ଭୀତି ଛାତି ଦିଏ କରତି

ଦାମିନି ଝଲକ ଦେଖି କୁଞ୍ଜ ମୟୂରୀ କୂଳ

ମୟୂର ସନେ ହେଲେ ଷଡ଼ଜ ଭାଷେ ଆକୁଳ,

ଏକାଳେ ତେଜିଲେ ଘନଶ୍ୟାମ ପିତ ଦୂକୁଳ

ଆଉକି ଜୀବନେ ସହି, ପଥର କଲିଣି ଛାତି ।।

ବରଜେ ବଜାଇ ମନମୋହନ ମୁରଲୀ ବାଜା

ରମଣୀ ତରୁଣୀ କୁଳେ ଦେଲେଣି ଯେତେକ ସଜା

କଣ୍ଟ କରି ଖଣ୍ଟ ଶଠ ନୋଇଲେ ମୋର ପୁରେ ଯା

ବଦତି ଶ୍ରୀ କବିଚନ୍ଦ୍ର ହେଲେ କି କଠୋର ମତି ?

 

ରାଗ-ଖମ୍ବାଜ । ତାଳ-ତେତାଲା

ଆସମ ମୋହ ବିଷମ ଛଳଏ କେ କାହ୍ନୁ ଶିଖାଇଲା ?

ଯାଚୁଥିଲା କେବା ପିରତୀ ରତନ ମନେ ଯଦି ଏତେ ଥିଲା ?

ବସନ୍ତ ସୁବାସ ବାସିତ କାନନେ

କହିଥିଲା କିଏ କୁସୁମ ଚୟନେ,

କିପାଁ ବା ବାଜିଲା ମୋହନ ବାଂଶରୀ

ମନେ ଯଦି କାହ୍ନୁ କପଟ ଥିଲା ।

 

କୀର୍ତ୍ତନ-ଠୁମରୀ

ଖାତକ ମମ, ପାଟକ କୂଳ, ରାଟ କଲି ପ୍ରଚାର,

କହ ବ୍ରଜରାଜ, କିସୁଖେ ବିରାଜ, ରାଜ ସିଂହାସନ ପର ।।

ରାଇ ମହାଜନ ! ମନେଥିବ ତାର ପ୍ରୀତି ତମସୁକ

ଲେଖି କାଟିଛି ସେ ବଂଶୀ ଚିହ୍ନ ।।

 

ବଡ଼ ଦଗାଦାର, ସେ ସତୀ ଗୋପିନୀର ଧୃତି ମତୀ ଚୋର,

ଶୁଣିଛି ପରା ସେ ମଥୁରାରେ ରହେ

ଲୁଚି ନଯାଏ ସେ ଗୋପପୁର ।।୧।।

 

ଛି ଛି ! ନିର୍ଲ୍ଲଜ ମୁଖେ କେ କହିବ ସତେ ସାକ୍ଷୀ ତା ଶୁକ ଶାରୀ;

ଆଉ ବନର ମାଳତୀ, ସଖୀ କଳାବତୀ ଲଳିତା ବ୍ରଜନାଗରୀ;

ପୁଣି ସାକ୍ଷୀ ଅଛି ତାର ସଖୀ ଶ୍ରୀମତୀର

କରୁଣ ନୟନ ବାରୀ ।।୨।।

 

ତୁମେ ନର ବର !

ଦୋଷ ଦେଖି ଶୁଣି ନ୍ୟାୟ ଦଣ୍ଡଧରି

ଉଚିତ ବିଚାର ତୁମେ କର ।

ସୁଝି ଦେଉ ଆମ୍ଭ, ସଖୀ ପ୍ରୀତି ଧନ,

ଦୋଷୀ ଚାଲୁ ବାରେ ଗୋପ ପୁର ।।୨।।

 

 

 

 

 

କୀର୍ତ୍ତନ

ଆଉ ଚିହ୍ନିବକି ଚିନ୍ତାମଣି ।।

ଛାର ଗୋପାଳ ହେଲଣି ଭୂପାଳ, ପାଇଛ ଆମୋହମଣି ହେ ।।

 

ଚମ୍ପା ଯୂଇ ଯାଇ, ବାସ-ଗଭା ପାଇ,

ସୁନା ମୁକୁଟ ହେଲାଣି

ଚୋରଧରି ଆମ୍ଭେ ମାଡ଼ ଦେଇଥିଲୁଁ,

ସେହି ଗୋପ ଗୋପାଳୁଣି ହେ ।୧।

 

କେତେ ହସ୍ତଧରି କହିଛି ମୁରାରି

ଭେଟିବାକୁ ରାଧାରାଣୀ ।

ପାଦତଳେ ପଡ଼ି ମଥା ଛିଣ୍ଡିଥିବ,

ମନୁ ପାଶୋରି ଗଲାଣି ହେ ।୨।

 

ରାଇ କୁଞ୍ଜ ପଟେ, ଯମୁନା ନିକଟେ,

କାନ୍ଦି କହେ ଚାଟୁ ବାଣୀ

ଚିହ୍ନି ନପାରିଲ ଯାହା ହେ କେଶବ,

ସେହି ଗୋପ ଗୋପାଳୁଣୀ ।୩।

 

କୀର୍ତ୍ତନ ଠୁମରୀ

କଜ୍ଜ୍ୱଳ ଘନ ବରନ, ନବ ଦୁର୍ବାଦଳ ଘନ

ଶ୍ୟାମ ଶ୍ରୀମତୀ ମନ ମୋହନ ।।୦।।

 

କୋଳେ କିବା ସୌଦାମିନୀ, ରାଇ ଚନ୍ଦ୍ରମା ବଦନୀ

ବୃନ୍ଦାବନ ଚନ୍ଦ୍ର ଜୀବ ଧନ, ସଖିରେ ।୧।

 

କିବା ସାଜିଛି ରୂପରେ

ନିରୁପମ ଶୋଭାଠାଣି ସାଜିଛି ରୂପରେ ।

ପୁଲକେ ନାଚେ ଅବନୀ ସାଜିଛି ରୂପରେ

କଳା ମେଘ ବିଧୂ ଜିଣି ସାଜିଛି ରୂପରେ

ଜଗତ ନୟନ ମଣୀ ସାଜିଛି ରୂପରେ

ଶ୍ରୀଅଙ୍ଗ ସୁବାସେ, ମହକେ ଭୁବନ, ଜଗତ ଜନ ଜୀବନ ।୨।

 

ରାଗ-ମୋହନମିଶ୍ର, ତାଳ-ରୂପକ

ମନୁ ମାନ ତେଜ ମୋହନେ ଆରେ ପରାଣ ସଖି

ମୁରଲୀଧର, ସେ ନଟବର ତୋ ବିନାତ କାହିଁ ଗତିକି,

ମଣୀ ରତନ କର ଯତନ କିପାଁ ସଖି ଚାହୁଁ ମହିକି

ଟେକ ମୁଖ, ଘୁଞ୍ଚୁ ଦୁଃଖ, ଶ୍ୟାମେ ରସ ସୁମୁଖି ।୧।

କୀର୍ତ୍ତନ

ରାଇ ଧୈର୍ଯ୍ୟଧର, ଧୈର୍ଯ୍ୟଧର, ଧୈର୍ଯ୍ୟଧର

ଧୀରା, ନହୁଅ ମନେ କାତର ।

ମୁଁ, ଖୋଜି ମଧୁପୁର, ବୁଲି ଘର ଘର

ଆଣିବି ତୋ ମନଚୋର ।୦।

 

କଳା ଯହିଁଥିବ, ଏ ରାଇ କଳା ଯହିଁଥିବ,

ଏ ତିନିଭୁବନେ ଏ ତିନିଭୁବନେ ତିନିଭୁବନେ ସେ ଯହିଁଥିବ ।

ତୋ କଳା ଚାନ୍ଦ ଯହିଁଥିବ,

ମନେଥିବ ସଖି ପ୍ରୀତି ତମସୁକ ଲେଖି କାଟିଛି ସନ୍ତକ ଗାର ।

ଦେଖିବି କହ୍ନାଇ କେଡ଼େ ଚୋର ।

ଦେଖିଲେ କହିବି ଗୋପାଳ କହ୍ନାଇ ଲଗାଇଲା କିଏ ପ୍ରେମଡୋର ।

 

କୀର୍ତ୍ତନ

ଶ୍ୟାମ ମୁଖ ଇନ୍ଦୁ ଝାଉଁଳିଛି ଦେଖରେ ନିରେଖି

(ଆରେ) ନିରଜ ନୟନୁ ନୀର ବହେ ଧାର ଧାର ।୦।

 

(ବନ୍ଧୁ) କୁଙ୍କୁମ କସ୍ତୁରୀ ମଣେ ବିଷ ପରକାର,

ରାଧା ନାମ କରିଅଛି ଗଳା ଜପା ମାଳ

କାହିଁରେ ମୋହନ ବଂଶୀ ବନ ଫୁଲ ହାର

ସହେ ହିୟା ଏହା ଦେଖି ନିକି (ସଖୀରେ) ।୧।

 

କିପରି ରେ-ରାଇ-

ପାଶୋରିଲୁ ଶାମ ମୁଖ ଇନ୍ଦୁ ।

ସେ ମୁଖ ବିଷାଦ ଦେଖି ଧୈର୍ଯ୍ୟ ଧରି ପାରୁଟିକି ।୨।

 

କୀର୍ତ୍ତନ ଠୁମରୀ

ବ୍ରଜେଚଳ ବଜେ ଶୀରୀ ଦିନ ଦୁଇ ଚାରି ।

ନ ମାନିଲେ ବ୍ରଜେମନ ଆସିବ ବାହାରି

ଚାଖି ବାରେ ବ୍ରଜମଧୁ ଆସ ପଛେ ଫେରି ।୦।

 

କେହି ବାନ୍ଧିବେ ନାହିଁ ।

ଆସିବାକୁ ତୁମେ ଭାଳିଲେ କହ୍ନାଇ

ବାନ୍ଧିବେ ନାହିଁ

ଭୁଲି ନପାରିଲେ କୁବୁଜାସୁନ୍ଦରୀ

ସଙ୍ଗେ ଘେନି ଚଳ ନହୁଅ ବାଇ ।୧।

 

 

ଦେଖି ଆସି ଥରେ କିଶୋରି ଯାଇ

କେ ବାନ୍ଧିବ ନାହିଁ ।

ଗୋପ ଗୋପୀ କେହି ସାଧିବେ ନାହିଁ,

ଜମୁନା କୂଳରେ କଦମ୍ବ ଡାଳରେ ବଜାଇ ଆସିବ ଥରେ ବାଂଶରୀ ।

ସେ ରାଧା ରାଧା ନାମେ ଥରେ ବାଂଶରୀ

ବିନୋଦିନୀ ବିରହିଣୀ ନାମେ ଥରେ ବାଂଶରୀ ।୨।

 

କୀର୍ତ୍ତନ-ଠୁମରୀ

ଆରେ କହ୍ନାଇ ପ୍ରାଣଧନ,

ମୁଖେ କେ ଦେଲା ସିନ୍ଦୂର ଚିହ୍ନ ରେ ।୦।

 

ଝଳି ପଡ଼ିଅଛି ଆନନ ମାଧୁରୀ ଜବା ନିନ୍ଦଇ ନୟନ,

ନିଦ୍ରା ଆଶକତେ ଢଳଢଳ ଦିଶେ ଢଳି ଚାଲ ଘନଶ୍ୟାମ ।୧।

 

ଗୋଳି କୁଙ୍କୁମକୁ ଦଳିଦେଲା ପରି ଦିଶଇ ଗୋଟା ବସନ

ଆକୁଳେ କା ଗଣ୍ଡେ ଗଣ୍ଡ ମିଶାଇଛ ଲୁଟିବାକୁ କାହାପ୍ରେମ ।୨।

 

 

 

ରାଗୀ ହମ୍ବୀର-ତାଳ ତିମାତେତାଲା

ମମ ପ୍ରାଣ କରିଛ ଚୋରି,

ନନ୍ଦନନ୍ଦନ ବ୍ରଜରାଜ ଶ୍ୟାମ ହେ,

କାହିଁ ରହିଛ ମନୋହାରି ।୦।

 

ଶ୍ରୀମତୀ ସୁନ୍ଦରୀ କୁନ୍ଦ ଚୋରୀ ଚନ୍ଦନ

ତୁମେ ଚନ୍ଦ୍ରମା ସେ ଚକୋରୀ ।୧।

 

ରାଗ ଖମ୍ବାଜ-ତାଳ ତେତାଲା

କାହ୍ନୁଗୁଣେ ତୋ ଋଣୀ ବ୍ରଜଧାମେ ବ୍ରଜନାରୀ

ଗୌରବରେ ଶ୍ୟାମସଙ୍ଗେ ତୋ ସାଥି

ଧନ୍ୟ ଗୋପପୁର ତୋସନେ ମାତି

କଦମ୍ବ ମୂଳେ ନଟବର ବେଶ ଧରି, ମାର ତୁ ନୟନ କଟାରୀ

ହା ହା ମାରତୁ ନୟନ କଟାରୀ ।୧।

 

ରାଗ କାନଡ଼ା-ତାଳ ତେତାଲା

ମୋହନ ବାଂଶରୀଆ ବାରେ ବଂଶୀ ବଜା ଯା’ ।

ମନ୍ଦେ ମନ୍ଦେ ମଧୁରଛନ୍ଦେ ମୁରଲୀଆ ମଜା ଯା

ଖଣ୍ଟରଜା ଯା; ପ୍ୟାରୀ ରସା ଯା ଲବଣୀ ଖାଯା

ଫୁଲବନେ ବୁଲି କୁଞ୍ଜ ସଜାଯା ।୧।

 

ରାଗ ବସନ୍ତ-ତେତାଲା

ହୋରୀ, ହୋରୀ, ହୋରୀ, ଖେଳତ ନନ୍ଦ ଲାଲକିଶୋରୀ,

କେ ଖେଳେ କେ ମାରେ କେ ନବ ପିଚକାରୀ ।୦।

ମନପ୍ରାଣ ପୁଲକିତ, ଫୁଲ ବନ କୁସୁମିତ

ସଙ୍ଗୀତ ଗାଏ କେ ବାଏ ମୃଦଙ୍ଗେ

ତା, ସା, ନ ନା ତାନାନା ତାନ ଝଙ୍କାରୀ ।୧।

 

ରାଗ ସାରଙ୍ଗ ମିଶ୍ର-ତାଳ ଯତ୍

କି ମଧୁରେ ବାଂଶରୀ ବାଜେ, ଏ ବାଜେ ଏ ବାଜେ ।

ବେଣୁବାଜେ କିବା ଫୁଲ ସାଜେ ।

ବସନ୍ତ ପବନେ ଫୁଟନ୍ତ ସୁମନେ ଝରଇ କି ଅନୁରାଗେ,

କାହା ପ୍ରୀତି ଭାଳି କାନନ ନିଆଳୀ

ତରୁଡାଳେ ଡାଳେ ରାଜେ ।

 

 

ଜଙ୍ଗଲା-ତାଳ ମିଶ୍ର ଖେମଟା

ଏ ମଲ୍ଲି ଧିରେ ଧିରେ ବିକାଶ,

ହେବୁ ଉପହାର ପୀରତି ସମ୍ଭାର ପୁରାଇ ମୋ ମନ ପ୍ରାଣ ପିଆସ ।।

ଚାନ୍ଦ କିରଣେ ଢଳି ମଧୁରେ ଦୋଳୀ ଦୋଳୀ ବାସତୁ ଫୁଲ ମଧୁମାଆସି

ସଦା ସଜ ପାଖୁଡ଼ା, ଖୋଲି ପୀରତି ପେଡ଼ା ବାସ ଅତର

ଦେହେ ମାଖିଆ

ପ୍ରିୟା ହିୟା ପରଶ ତୁ ଲଭି ମନ ତୋଷିଆ

ତୋ ତନୁ କୋମଳ ପ୍ରିୟା ଚାରୁଗଣ୍ଡେ ଘସିଆ ।-

ମଳୟସମୀରେ, ଝୁଲି ଫୁଲିବାରେ ଯିବ ମୋ ମନୁ ପରାଶ

 

ରାଗ ଗୌରୀ-ଏକତାଲା

ସେ ଗୋ ମଞ୍ଜୁ ମଧୁର ହାସିନୀ;

ତବବିନେଶ୍ୟାମ ସଖୀ ଅଙ୍ଗ

ମମ ଚିନ୍ତାନଳେ କ୍ଷୀଣ ହେଲାଣି ।୦।

ଦିବା କିବା ନିଶି ଭାଳେ ସଖୀ

ବସି (ସେ ଯେ) କୁଞ୍ଜରବରଗମନୀ

ନିପଟ ନିଠୁର ଶ୍ୟାମନଟବର

ଭେଟ କୁଞ୍ଜେ ବିଧୂବଦନୀ ।୧।

 

ଜଙ୍ଗଲା-ଖେମଟା

ଆରେ ରାଧା ପ୍ୟାରୀ ଡାକନା ବଂଶୀ ଥରେ

ଡାକନା ବଂଶୀ ଥରେ ଆରେ ବାଜନା ବଂଶୀ ଥରେ

କୁସୁମ କୁଞ୍ଜେ କୁଞ୍ଜେ ରାଧାନାମେ ଫୁଟନା,

ଜମୁନା ରାଧାନାମେ ଆଉ ତୁ ଉଛୁଳ ନା

ପବନ ସରେ ସରେ ରାଧାନାମେ ବହ ନା

ବିରହ ବହ୍ନି ତୁ ଦହ ଧୀରେ ଧୀରେ ।୨।

 

ମିଶ୍ର ଦାଦ୍‌ର

ରାଇ ମନୋହାରି ପ୍ରେମେ ଘୁରୀ ଘୂରୀ

ତାନେ ଫେରି ଫେରି ଖେଳେ ହୋରୀ ।୦।

 

ଥରେ ନୟନ କୋଣରେ କର ନନ୍ଦଲାଲ ମନ ଚୋରି

ରସରଙ୍ଗିନୀରେ ବନଚାରୀ ତୋ ପଦ ଯୁଗଧାରୀ ।୧।

 

ନାଚୁ ଭୁବନ ଗଗନ ବନ ଶ୍ୟାମ ଜମୁନା ନୀଳ ବାରି

ଜୟ ମଧୁର ମୂରତୀ ଶ୍ୟାମ ଯୁଗଳ ମୂରତୀ ରାଧା ପ୍ୟାରୀ ।୨।

 

 

ରାଗ-ଖମ୍ବାଜ କଓ୍ୟାଲୀ

ବରଷେ ବାରି କାହିଁ ପିଆରୀ ତାରା ରସିଆ ନାହିଁରେ,

ପିନ୍ଧି ସୁନିଲି ଚୁମୁକି ସାଢ଼ୀ ସାରା ରଜନୀ ଚାହିଁରେ ।୦।

 

ଗୁଞ୍ଜେ ଗୁଣୁ ଝିଙ୍କାରୀ ଫୁଲବନ କୁଞ୍ଜେ ଝଙ୍କାରୀ

ଦାମିନି ଝଲକେ, ପଲକେ ପଲକେ, ଚାଲେ ତଟିନୀ ବହିରେ ।୧।

 

ବାଦଲ ଭରା, ଚମକେ ଧରା, ସୁନ୍‌ସନ ବହେ ପବନ ସାରା

ଜମୁନା ତୀର ସୁନୀଳିମ ନୀର, ଆଖି ଝଲସେ ଚାହିଁରେ ।୨।

 

ରାଗ ଖମ୍ବାଜ ମିଶ୍ର-ତାଳ ଖେମଟା

ଏ ଗୁମାନ ତୋର ଧନ କେତେଦିନ ରହିବ

ଶୁଭିଲେ ବଂଶୀସ୍ୱନ, ଦେଖିଲେ ନବଘନ,

ଉଚ୍ଛନ୍ନ ହେବ ମନ, ତୋ ନୟନ କୋଣେ ବନ

ଛନ ଛନେ ଫୁଟିବ ।

 

ଶୁଣିଲେ ପିକବାଣୀ, ଶୁଣ ଶ୍ରୀମତୀ ରାଣୀ,

ପଥ ଚାଲି ନଜାଣି ଶ୍ୟାମ ଅଙ୍କେ ସୁପଲଙ୍କେ

ଲାଜ ପଙ୍କେ ଲାଖିବ ।

 

ରାଗ-ଭୈରବୀ । ତାଳ-ଏକତାଳୀ

କି କଠିନ ବନ୍ଧନେ                  ବାନ୍ଧିଛ ଏ ହିୟା

ଫିଟାଇ ତୁଟାଇ ଯାଅନା ଯାଅନା ।

ଅନ୍ଧାରେ ଆଲୋକେ                  ସୁଖେ ଅବା ଦୁଃଖେ

ସେ କଠୋର ଭାଷା କହନା କହନା ।୦।

 

କି ଭାବେ ଭୁଲିବ                        କହ କେତେ ହର୍ଷ

ଗଲା କେତେ ଦିନ କେତେ କେତେ ବର୍ଷ

ଲୁହାର ହୃଦୟ                        କପଟ ନିର୍ଦ୍ଦୟ

ବାରେ ବାରେ ମନ ଦହନା ଦହନା ।୧।

 

ଅଭିମାନ ଆଉ                   ନ ବହିବି ଥରେ

ମୁଖେ କଟୁ ଗୀର ନ ଭାଷିବି ଥରେ

ଲୁପ୍ତ ସେ ଛବି                  ଗୁପ୍ତ ମନନେ

ଖରଶ୍ୱାସେ ଫେଇ ଦିଅନା ଦିଅନା ।୨।

 

ଟଳିଲେ ଟଳିବ                   ଗ୍ରହ ସୂର୍ଯ୍ୟ ତାରା,

ଚଳିଲେ ଚଳିବ ମେରୁ ଶିର ସାରା,

କାଢ଼ି ନେଲେ ନିଅ            ଆଦାର ସୋହାଗ

ସ୍ମୃତିପଟୁ ଛବି ନିଅନା ନିଅନା ।୩।

 

ଜଙ୍ଗଲା-ଖେମଟା

ସ୍ୱର୍ଣ୍ଣଲତା ପ୍ରେମେ ପଡ଼ିଲାଣି

ଜାଣୁ ଜାଣୁ ବୁଦ୍ଧି ହୁଡ଼ିଲାଣି ।

କମଳିନୀ ରାଣୀ, ହେଲା ପାଗଳିନୀ

ପ୍ରମାଦେ ପଡ଼ିଲାଣି; ହାଏ-ହାଏ

ଆଦରେ ମୋହରେ ଭ୍ରମରେ-ସାଦରେ

କୋଳକୁ ଲୋଡ଼ିଲାଣି ।୦।

 

ରସି ହସି ହେମାଙ୍ଗିନୀ ମଦାଳସୀ

ଛଳରେ ବୁଡ଼ିଲାଣି, ହାଏ ହାଏ

ରସିକଶେଖର, ମଦନସୁନ୍ଦର

ମଦନେ ପିଡ଼ିଲାଣି ।୧।

 

ରାଗ-ଖମ୍ବାଜ । ତାଳ-ଶ୍ଳଥ ତ୍ରିତାଳି

ଶ୍ୟାମଳ ଗୋରୀ ମିଛେ ଭୁଲୁ ତୁ କାହିଁ ପାଇଁ

ଛାଇ ଦେଖି ବାଇ ପରା ଭାଳୁ କହ୍ନାଇ କହ୍ନାଇ ।୦।

ଶ୍ୟାମଳ ସୁରତ-ତନୁ ମଧୁପୁରେ ସାଜେ,

ଶ୍ୟାମର ମୋହନ ବେଣୁ ମଧୁପୁର ବାଜେ,

ତରୁଲତା ଫୁଲ ଦେଖି ବିକଳେ ଅଧୀର ଭାଇ ।।

 

ଲଳିତ-ତେତାଲା

ସଖୀ, ଏଇ ଶୁଣ ବଂଶୀ ବାଜେ

ବନେ ବାଜେ ନା ମନେ ବାଜେ ଗୋ ।୦।

ଶ୍ୟାମ ବେଣୁ ତାନେ ଉଛୁଳେ ଯମୁନା,

ବହଇ ପୁଲକ ଧାରା ।

କୋକିଳ ସଖୀ ସେ ବସନ୍ତ ଆଗମେ

ଚମକାଏ ବନସାରା ।

ଛି ଛି ମିଛେ କିମ୍ପା ମାର ଲାଜେ ।୧।

 

ଝୁମର

ମାଘ, ଫାଲ୍‌ଗୁନ ମାସେ                  ବସନ୍ତ ସମୀର ଗୋ ଆସେ

ହୋରୀ ଖେଳେ ଶ୍ରୀମତୀ ମୋହନ ରେ,

ଅଳସ ଯୌବନ ଭାରେ                  ରାଇ କି ଶୋଭନ ରେ ସଖୀ

ମଧୁର ମିଳନ ରେ ।୦।

 

ଚୈତ୍ର, ବୈଶାଖ ଖରା                  ଗ୍ରୀଷମ ତପତ ଗୋ ଧରା

ଧନୀ ଗୋଳି କୁଙ୍କୁମ ଚନ୍ଦନ ରେ

ସରମେ ଜଡ଼ିତ ଶ୍ୟାମେ                  କରେ ଆଲେପନ ରେ ସଖୀ

ମଧୁର ମିଳନ ରେ ।୧।

 

ଜ୍ୟେଷ୍ଠ ଆଷାଢ଼ ଘନ                  ବରଷଇ ଘନ ଘନ

ବିଦ୍ୟୁ ଦେଖି ରାଧା ଛନ ଛନ ରେ

ମରମେ ବ୍ୟଥିତ ସେ ମିଳେ            ନିକୁଞ୍ଜ କାନନରେ ସଖୀ

ମଧୁର ମିଳନ ରେ ।୨।

 

ଶ୍ରାବଣ, ଭାଦ୍ରବ ଧାରା                  ଝୁଲଣ ମଣ୍ଡପ ଗୋ ତୋରା

ଝୁଲେ ରାଇ ମଦନ ମୋହନ ରେ

ଲଳିତା ବିଶାଖା କରେ            ଚାମର ଶୋଭନ ରେ ସଖୀ

ମଧୁର ମିଳନରେ ।୩।

 

ଆଶ୍ୱିନ କାର୍ତ୍ତିକ ଆସେ                  ଧରଣୀ ପୁଲକେ ଗୋ ଭାସେ

ଫୁଟି ପଡ଼େ ଶରଦର ଜହ୍ନ ରେ

ବାଂଶରୀ ମଧୁରେ ଡାକେ                  ରାଧା ରାଧା ନାମରେ ସଖୀ

ମଧୁର ମିଳନ ରେ ।୪।

ମାର୍ଗଶୀର, ପୌଷ ଶୀତ                  ଶ୍ୟାମ ହେଲେ ଶୀତେ ଭୀତ

ତରୁଲତା ହେଲେ ଶୀତେ ମ୍ଳାନରେ

ଶ୍ରୀମତୀ ଅଧର ମଧୁ            ଶ୍ୟାମ କଲେ ପାନ ରେ ସଖୀ

ମଧୁର ମିଳନ ରେ ।୫।

 

ଖମ୍ବାଜ କଓ୍ୟାଲି

ଆଉ ବାଜେନାତ ଶ୍ୟାମ ବେଣୁ ଯମୁନା ତୀରେ ।

ଯମୁନା ତୀରେ ଗୋ ସଖୀ କଦମ୍ବ ମୂଳେ ।୦।

 

ନିପଟ ନିଠୁର            ଶ୍ୟାମ ନଟବର

ନାରୀ ମନ ଚୋର ରାଜା ମଥୁରା ପୁରେ ।୧।

ରାଇ ସଖୀ ମଣି            ମରେ ଗୁଣ ଗୁଣି

କପଟେ ଭୁଲାଇ ଦେଲା ଛୁରୀ ତା ଗଳେ ।୨।

 

ମାଲକୋଷ-ତେତାଲାଧିମା

ନୀରଳସ ଚନ୍ଦ୍ର ମୁଖ କାହିଁ ପାଇଁ ଝାଉଁଳିଲା

ସରସ ବସନ୍ତ ବନେ ପିକ କୁହୁ ନ ଭାଷିଲା ।

ସୁହାସ ରସିକ ଭୃଙ୍ଗ ହେଲାଣି ତନୁ ବିଭଙ୍ଗ

କିପାଁଇ କହରେ ବନ୍ଧୁ କମଳେ ସେ ନ ରସିଲା ।।

ଛାନ୍ଦ

ଝାଉଁଳିଛି ମୁଖ ଛବି ନାହିଁ ହାସ ଲେଶ,

ପିଆସା ଚାହାଣି ନାହିଁ ।

ଅଧର ବିକାଶ ମୋର ପରାଣ ବନ୍ଧୁରେ ।

ରାହୁ ସତେ ଗରାସିଛି ପୂର୍ଣ୍ଣିମା ଇନ୍ଦୁରେ ମୋର,

ପରାଣ ବନ୍ଧୁରେ ।୧।

 

ହସୁନାହିଁ କୁଞ୍ଜବନ, ନାହିଁ ପକ୍ଷୀ କଳ,

ଭାଷୁନାହିଁ ଯମୁନାତ ଆଉ

କଳ କଳ ପରାଣ ବନ୍ଧୁରେ ।।

ହାସ ତରଙ୍ଗ ଲୁଚିଛି ନିରାଶା ସିନ୍ଧୁରେ ମୋର

ପରାଣ ବନ୍ଧୁରେ ।୨।

 

ଘନଶ୍ୟାମ ଶ୍ୟାମତନୁ ଲୋଟୁଛି ଧୂଳିରେ

କପୋଳେ ଲିହିଛି ଦିବ୍ୟ କସ୍ତୁରି ବିନ୍ଦୁରେ ମୋର

ପରାଣ ବନ୍ଧୁରେ ।୩।

 

 

 

ଗୌଡ଼ ସାରଙ୍ଗ-ତେତାଲା

ଘନ ବରନ ମୋହନ ଧନ ମୋର ସଜନୀରେ

ଜୀବନ ଜନମ ମନଚୋର ରେ ।

ଛଇଲ ନାଗରବର ବାଟ ଯମୁନା ତଟେ

ଗାଇ ମୁରଲୀ ଆଳାପେ, ଡାକେ ବିରହ ବିଳାପେ

କାଳ ହେଲା କଳା ଆକ୍ଷିଠାର ।

 

ଝିଞ୍ଚିଟ ଖମ୍ବାଜ-ଜଲଦ୍‌ତେତାଲା

ନିମିଷର ଦେଖା, ପଲକେ ପଲକେ ନୟନେ ନୟନେ ରହିଛି ।

କହିବା ଆଗୁ ଅନ୍ତର କଥା, ମରମ ଦୁଆର ଫେଇଛି ।୦।

କିଶୋଭା ସେ ଛଳ ନୟନେ,

ଦର ଦର ହାସ ବଦନେ ।

ନୟନ ଛଟକେ କି ଥିଲା କେଜାଣି

ମନ ପ୍ରାଣ ସତେ ବାନ୍ଧିଛି ।।

ମୋର ମନ ପ୍ରାଣ କିଣି ନେଇଛି ।।

 

 

 

ଗଜଲ

ପ୍ରାଣ ଦହନା ମନ ଦହନା

ଫେରି ଅନାନା ଫେରି ଅନାନା

ଦେଇଛି ଜୀବନ ଜନମ ପ୍ରାଣ ଗୋ

ଫେରି ଅନାନା ଛୁରୀ ମାରନା ।୦।

 

ସ୍ୱପନ ପଟେ ଗୋ ଛବିଟି ଫୁଟେ

ଭାବ କୋଣେ ସେ ଭାବ ଉକୁଟେ

ନୟନ ବାଣ ହାଣି ମରମେ

ଚିରି ଦିଅନା ଚିରି ଦିଅନା ।।

(ଫେରି ଅନାନା)

କେତ ଦିନକୁ ଏ ସ୍ନେହ ରଖି

ଲୁଚିବ କାହିଁ ପରାଣ ପକ୍ଷୀ

ଝୁରିବି ସିନା, ହୋଇବ ସାର

ମନବେଦନା, ମନବେଦନା ।।

 

 

 

 

ଖମ୍ବାଜ-ଢିମା ତେତାଲା

ନୟନେ ଏକିରେ ଛଳନା-ଯାତନା ଆହା

ମନେ ଯଦି ଏତେଥିଲା

କିପାଁ ମନ ଭୁଲାଇଲା

କରି ଚୋରି ଅବଶେଷେ ପ୍ରାଣେ ଯାତନା ।

ଥିଲି ଭୁଲି ମନେ କରି

ସେ କିପାଁ ଚାହିଁଲା ଫେରି

ପୀରତି ବିଷମ ଘାତ ଏ ପ୍ରାଣ ସହେନା ।।

 

କୀର୍ତ୍ତନ ଏକ ତାଲା

ଏ-ହରିନାମ,-

ମଧୁ ହରିନାମ, ଗାଅ ମନ ମମ କି ଦିବସ ଯାମିନୀ ।।୦।।

ଗାଅ ମନ ମମ ଦିବସ ଯାମିନୀ

ତେଜି ତୁ କାଞ୍ଚନ କାମିନୀ ।।

ଯିବରେ ଜୀବନ ତେଜି ମାଟି ପିଣ୍ଡ,

ଭୂମି ଲୋଟି ଦିନେ ହେବ ଖଣ୍ଡ ଖଣ୍ଡ ।

ବେଳ ଥାଉଁ ଥାଉଁ, ହରି ହରି ବୋଲ

ଘୁଞ୍ଚିବରେ ଦୁଃଖ ରଜନୀ ।।

 

ଇମନ କଲ୍ୟାଣ-ଝାଁପ

ଜନନୀ ଜୟ ଜୟ ସକଳ ସୁଖମୟୀ ସଦା ମଙ୍ଗଳ କାରିଣୀ ।

ଖଡ୍ଗ ଖର୍ପର ଶୂଳ ଧାରିଣୀ ଯୋଗିନୀ ସଞ୍ଚାରିଣୀ

ସକଳ ଦୁଃଖ ନିବାରିଣୀ ମା

ଭକତ ଅନ୍ତର ଚାରିଣୀ

ଲୋଳଜିହ୍ୱା ମୁଣ୍ଡମାଳିନୀ; ତ୍ରିଗୁଣ ଲୟ ବରଦାୟିନି ।

 

(Comic)

ଏ ରସିକ, ତୁମେ ପରା ମୋର ଜୀବ ଅଧିକ ।୦।

ତୁମେ ଦଳା ଖେଚଡ଼ି ଥାଳି,

ତୁମେ ପାନ ମହୁରୀ ବିଡ଼ି,

ଖଣ୍ଡିଆ ବଟାରେ ଯତନେ ସଜଡ଼ା,

ବାସି ଖିଲିପାନ ନାଲିଆ ପିକ ।

 

ତୁମେ ମୋର ହଳଦୀ ବଟା,

ମୁଢ଼ି ସଙ୍ଗେ ପିଆଜ କଟା,

କଞ୍ଚା ମରିଚରେ ସରୁ ଲୁଣ ତୁମେ

ବୁଟଭଜା ମିଶା ମତ୍ତଜ ଯାକ ।୦।

 

ତୁମେ ମୋର ଛେନା ପତୁଆ,

ଖଟା ମିଠା ରାଗ ରାଗୁଆ,

ବୁଢ଼ାକାଳ ବର ପାଚିଲା ଚୁଟିଆ

ଖଣ୍ଡିଆ ହଡ଼ାର ଘୋଡ଼ା ଚାବୁକ ।୧।

 

ତୁମେ ପିଚା-ପଡିଆ ଶାଢ଼ୀ,

ସଞ୍ଜ ବୁଲା ସଉକି ବାଡ଼ି,

କୁକୁର ଗଳାର ସଜ ମଲ୍ଲି ହାର

କଖାରୁ ଫୁଲର ରସିଆ ପୋକ ।୨।

 

ଭୁପାଳି ଆଡ଼ଠେକା

କେବେ ଦିନ ଆସିବ ମୋର, କରମରେ ।

ମନଧନ ଜୀବ ହୋଇବ ପୁଲକେ ଭୋର ।୦।

ପୂରବ ଆଶା ରାଜିବି ସୁନା କିରଣେ

କୁଙ୍କୁମେ କମଳିନୀ ଖେଳିବି ଫଗୁ ଯତନେ

ବାନ୍ଧିବି ମନଚୋରେ ମରମ ପୀରତି ଡୋରେ ।୧।

 

 

 

ଲପେଟା ସ୍ୱର

ଆରେ ମୋର ଜୀବନ ବୀଣା ତାର ମଧୁରେ

ବାଜ ବିଜନେ ।୦।

ଗୋପନେ ବନେ ବନେ ନାଚ ଥରେ

ଆସିବେ ଜୀବଧନ ନାଚ ଥରେ

ଆହା ମୋ ବୀଣା ତାର,

ଜୀବନ ସାଇ ସାର,

ମୋ ଗଳା ମୋତି ହାର,

ନିରାଶେ, ହତାଶେ, ତରାସେ, ସୁମନେ ।।

 

ଝିଂଝିଟ-ତେତାଲ

କାହିଁ ଚାନ୍ଦେ କାହିଁ ଫୁଲେ, ସେ ସୁଧା ମାଧୁରୀ ଛଟା

ନୀରବ ନୟନ କୋଣେ ଦେଖା ହେଲା ଜଳ ଛିଟା ।୦।

ମଳୟ କାହିଁ ତୋ ବାସ,

କୁସୁମ କାହିଁ ତୋ ହାସ,

କାହିଁ ଶଶୀ ପରକାଶ, କରମ ମୋହର ଫଟା ।।

 

 

ଗଜଲ ସୁର

ନୀରବେ ନିଶି ମୁଁ ବସି ଆଶାପଥ ଚାହିଁଛି

ଗୋଟି ଗୋଟି କେତେ ତାରା, ଫୁଟି ତୁଟି ଯାଇଛି ଗୋ ।

ପଲକ ନୟନେ ନାହିଁ ରାତି ଆସି ପାହିଛି ।୧।

 

ମୋ ମନ ପରାଣ ଆଶା ମନେ ମନେ ମାରିଛି ଗୋ ।

ମଳୟ ସମୀରେ କେତେ ମନକଥା କହୁଛି ।୨।

 

କାନନେ ଡାକିଲେ ପକ୍ଷୀ ଚମକି ମୁଁ ଚାହିଁଛି ଗୋ

ବନ୍ଧୁ ଆସିବାର ଭାଳି କେତେ ବଂଶୀ ବାଇଛି ।୩।

 

ପାର୍ଶୀ ସ୍ୱର

ପ୍ରିୟା କା ବିନେ କାନ୍ଦେ ତୋ ହିଆ ସାରା

ଆରେ ହାରେ ଜୀବ ଯାଏ ମୋର ପ୍ୟାରୀ

କି ବିରହ କେ ମାରେ କଟାରୀ ।୦।

 

ତୋ ନୟନୁ ଧାରା, ନିଶି ଦିନ ସାରା

ଶିର ପରୁ ଶୋଭନା ମୁକୁତା ଝରା

ଭରା ଯଉବନ ତୋ ଛାର ସିନା ଭାବି ପରା ।

କାହା ଆଶେ କାହା ପାଶେ

ହାଏ ହାଏ ହାଏ

ସେ ତ ଲମ୍ପଟିଆ କପଟିଆ

ରସିକ ହାରା ।

 

ମିଶ୍ର ଦ୍ରାବିଡ଼

ଓହୋ ଘନବାରି, ମନ ମୋର ମୋହିଲାରେ ।

ଶ୍ୟାମ ସୁନ୍ଦର କୁଞ୍ଜେ ତୁ ଯା ଯା ।

ନିଧୁବନ କୁଞ୍ଜେ ଚାହାଁ

ବିଦ୍ୟୁ ଚମକାଏ ରାହା ।

 

ଶ୍ୟାମ ସୁନ୍ଦର କୁଞ୍ଜେ ତୁ ଯା ଯା

ଛନକଇ ପ୍ରାଣ ଥରି

ରହିବ କେ ଧୈର୍ଯ୍ୟ ଧରି । ଘନବାରି ।

 

ମାରେ କେ ଶର ମରତେ କାମିଜନେ କୁଞ୍ଜବନେ

ରଙ୍ଗେ ନବରଙ୍ଗି ଝଲକଇ ଯାମିନୀ ଯା

ରାଇ କୁଞ୍ଜେ ଯା, ଘନଶ୍ୟାମ କୁଞ୍ଜେ ଯା

ଛନ୍ଦେ ଛନ୍ଦେ ମନ୍ଦେ ମୁଖ ଚନ୍ଦ୍ର ଚୁମ୍ବି ଯା ।୧।

ସିନ୍ଧୁ-ଠୁମରୀ

ଛବି ମୋହିଲାରେ            ବାଙ୍କ ମୂରତି ଆରେ

କୁଞ୍ଜପଟେ ଆଖି ଠାର (ପ୍ୟାରି)

ବିଷନିଶା ମିଶା            ମାଦକରୁ ବଳି

ମହତ ଦେଲା ତ ସାରି ।୧।

 

ନ ଚାହିଁବି ବୋଲି                  କେତେ ମୁଁ ଭାଳିଛି

ଦୂରେ ଥିଲେ ପାଶ ପରି ରେ ସହୀ

ଆଖି ଆଖି ବୋଲି            ଯାହାରେ ସଜନୀ

ସାକ୍ଷୀ ବିଧାତା ମୋହରି ରେ ସହୀ

ବଡ଼ ଦଗାଦାର            ଆଖି ଜଗତର

ପୋଡ଼ୁ ଜନମ ତାହାରି ।୩।

 

ନ ଦେଖିଲେ ଆଖି            ନୀରଧାରେ ଭାରି

ଦେଖିଲେ ହେଲେ ଭଗାରି

କବି ଚନ୍ଦ୍ର ଭଣି            ପଲକେ ଝଲକେ

ବିଜୁଳି ଛଟା ବାହାରି ।୪।

 

 

(Comic)

ଚାକିରି ଝକମାରି ଏ ଜନମେ ନାହିଁ କରି

ଖାମିଦ ହସିଲେ ହସି ଅଖୁସିରେ ଖୁସି

ଗଧକୁ କହିଲେ ବାର ଦିନ ଯାଏ ହାଁ ଜିମାରି ।୧। ଯୋଡ଼ା

 

ଅଇଣ୍ଠା ପତର କଳି କୁକୁରକୁ ବଳି, ରେ

ଚଉକି ଟାଣି ବସିଲେ ଭୁଲି ଯା ଗୋଲାମ ଗିରି ।୨।

ମନୁଷ୍ୟ ହୋଇ ମନୁଷ୍ୟ ସେବା କରି କରି

ପେଟ ପେଟ ବୋଲି ଭଲା ପୂରେ କି ପେଟ କାହାରି ।୩।

ସକାଳରୁ ରାତି ଯାଏ ଲାଗିଛି ଚାକିରି,

ଘଡ଼ିଏ ତ ମିଳେ ନାଆଁ ଜୀବନ ଷାମିଦ ହରି ।୪। ମନେ

 

ମିଶ୍ର-ଖେମଟା

ଆଉ ନମାର ରସ ଛୁରୀ ଗୋପ ନାଗରୀ,

ବ୍ରଜ ନାଗରୀ ।୦।

ବିଷମ ନୟନ ବାଣ      ଆଉ ହୃଦୟେ ନ ହାଣ

ପରତେ ଯାଅ ଗୌରୀ ।୧।

ନୋହେ ବାଣ ଶାଣ      କିମ୍ପା କର ବରଷଣ

ଘୋରି ଘୋରି ଭରି ।୨।

ବରଷି ପୀୟୂଷ ଧାରା      ଅନା ଥରେ ଚମ୍ପାଝରା

ଢାଳ କରୁଣା ବାରି ।୩।

ମରି ତ ରହିଛି ସହି      ମରମେ ନ ଦିଅ ଦହି

ଆଡ଼ ନୟନେ ଠାରି ।୪।

କବିଚନ୍ଦ୍ର ଭାଷେ ଗୀର      ଆଡ଼ ନୟନେ ମୋର

ଦୂରୁ ଥାଏଁ ଜୁହାରୀ ।୫।

 

ଡୁଏଟ

ପୀରତି ମଖା ନୟନ କୋଣେ ଗୋ ମନ୍ଦେ ହସି ଯା

ଆଖି ଆଖି ଭେଟିଲେ ବନ୍ଧୁ ପ୍ରାଣେ ମିଳିଲାନାହିଁ

ତ ନୟନ ଠାରେ ପୀରତି ଘର

ଖାଲି ଛାତି ଦିଏ କରତି ମୋର

ଯେବେ ବଚନେ ନାହିଁ ପୀରତି ମଧୁ ଗୋ

ନୟନ ଠାରେ ତ ପୀରତି

ଖାଲି ଛାତି ଦିଏ କରତି

ନୟନେ ନୟନେ ମନ ମାନେନା ଗୋ ପ୍ରାଣେ ମିଳି ଯା ।

ଚାନ୍ଦ ଚକୋରେ ମିଳନ ମଧୁ-ଚୁମ୍ବି ଖା ।

 

(ସମାପ୍ତ)