[ ନୃତ୍ୟ-ବାଦ୍ୟ ଶୁଭୁଥିଲା ପରଦା ଘୁଞ୍ଚିବାବେଳକୁ । ସହସା ନୃପୂର ଶବ୍ଦ ନୀରବ ହେଲା । ଭ୍ରମରର ଗୁଞ୍ଜନ କିନ୍ତୁ ତଥାପି ବନ୍ଦ ହୋଇନାହିଁ, ମୃଦଙ୍ଗରେ ତାଳ ପରିସମାପ୍ତି ବୁଝାଇ ନାହିଁ । ଶେଷରେ ଭ୍ରମର ଗୁଞ୍ଜନ ବନ୍ଦ କରି କହିଲା- ]
ମଧୁକର- ଅରବିନ୍ଦ !
ଲୋ ସରଳା,
କି ହେଲା ଲୋ ! ସୁବଦନି, ତୋ’ର ?
ଶିଥିଳ ହୋଇଲା କିପାଁ ଚଞ୍ଚଳ ଚରଣ ?
ତହିଁ ତୁଲେ ନୀରବିଲା ନୁପୂର- ନିକ୍ୱଣ ?
ଲାଗିଲା କି ସୁକୁମାରି, ପୟରେ ତୋ ବ୍ୟଥା ?
ନୋହିଲେ କାହିଁକି ସଖି,
ଝାଉଁଳିପଡ଼ିଲାପରି ନୃତ୍ୟର ଗରିମା,
ବିଭଙ୍ଗ ଘଟିଲା ଲୟ ମଧ୍ୟ ?
ମନେ ହୁଏ, ଆନମନା ତୁହି !
ଅରବିନ୍ଦ- ନା-ନା, କେଜାଣି କାହିଁକି ?
ସ୍ୱପ୍ନ-କଥାସରି-
ମନେ ପଡ଼େ ଆଜି ସେଇ
କୋରକ- ବୟସ ମୋର ।
ଅତୀତର ସ୍ମୃତି ।
ଆଖି ମୁଦି
ଥିଲି ମୁଁ ଘୁମାଇଁ,
ପଲ୍ଲବ-ତଳପେ, ସୁଖେ ।
ସହସା ପ୍ରଭାତେ, ଦିନେ
କାଉଁରି-ପରଶେ ସତେ !
ମନେ ହେଲା, ପରିପୂର୍ଣ୍ଣ। ମୁହିଁ ।
ମୁଗ୍ଧ ହେଲି, ଦେଖି ଆପଣାରେ ।
ନୀଳ ଜଳ-ଦରପଣକୋଳେ,
ବିଳସିଲା ପ୍ରସନ୍ନ ପ୍ରତିମା ମୋର ।
କାନେ କାନେ କିଏ ଜଣେ
ଅଦେଖା ଦେବତା
କାହୁଁ ଆସି ଦେଲା ଗୁରୁମନ୍ତ୍ର ।
‘‘ଆଉ ମୁଁ ନୁହଇ ମୋର’’
ଅଚିହ୍ନା ଅଜଣା ସେ ମୋ
ପରଦେଶୀ ବନ୍ଧୁ
ପଲକ ଦର୍ଶନେ,
କରିନେବ ମୋତେ ଆପଣାର,
ମୁଁ ହୋଇବି ତା’ର ।’’
ଦୁରୁ-ଦୁରୁ ହେଲା ହିଆ ।
ଆଶାପଥ ମିଛେ ଅନୁସରି,
ସାରା ଦିନ ଥିଲା ଚାହିଁ ରଙ୍କ ଆଖି ବେନି,
କିନ୍ତୁ ହାୟ !
ନଇଲା ନାଗର ।
ମୁଦି ଆଖି ଦୁଃଖେ,
ଦିନ ଅନ୍ତେ,
ତନୁ ଦେଲି ଢାଙ୍କି ନୀଳାଞ୍ଚଳେ ।
ଅଛି ମନେ
ଅନିଚ୍ଛାରେ ସଞ୍ଜରାଣୀ,
ବିଧି ବାଧ୍ୟବଶେ
ବଢ଼ାଉଥିଲେ ପୟର
ଅନ୍ଧାର ଉଆସେ ।
ଓଃ ! ଥରେ ଛାତି;
ମଧୁକର, ମଧୁକର !
କ୍ଷମା କର ମୋତେ ବନ୍ଧୁ,
ସାରା ଶରୀରରେ ମୋର ଶିହରଣ ଜାଗି,
ଅବଶ ଲାଗଇ ।
ନୁହେଁ କିନ୍ତୁ ଶୀତର ପରଶ ଏ ତ !
ଅଶକତ ଅତି, ଅବଶ ମୋ ଅଙ୍ଗ
ନୃତ୍ୟେ ଆଉ ନ ବଳଇ ମତି ।
ମଧୁକର- କମଳିନି !
ଥରେ ଘୁଞ୍ଚି,
ଥରେ ଆସି ପାଶେ ତୋ’ର ଧନି,
ଗୁଞ୍ଜରଣେ ଗାଇବି କି ପୂରବୀ ରାଗିଣୀ,
ମୂର୍ଚ୍ଛନା ଆଳାପି ?
ଲାଗିବ କି ସୁଖ ?
ଅବା ପରଶି ତୋ ନବନୀତ ତନୁ,
କରିବି କି ସଂବାହନ ?
କି ସେବା କରିବି, କହ-
ସୁବଦନି ! ହୋଇବୁ ପ୍ରଫୁଲ୍ଲ ।
ପାରୁନାହିଁ ଅନୁମାନି କାରଣ ତ କିଛି ।
କାହିଁକି ଲୋ ! ମନମରା ଆଜି ?
ସୁରଙ୍ଗ ପତାକା ଧରି ପଶ୍ଚିମ ଦିଗ୍ବଧୂ-
ଆରାଧନା କରିବାକୁ ରବିରେ, ଅବଧି
ହୋଇନାହିଁ ସଜ ।
ଚଞ୍ଚୁମୁନେ ଆହାର ପୂରୋଇ
ନୀଡ଼ିମୁଖେ ଧାଇଁନାହିଁ ଆକୁଳ ବିହଗ ।
ମିଳାଇ ତ ନାହିଁ ଶୂନ୍ୟେ ସଖି,
ଗୋଧୁଳି-ମୁରଲୀ-କଣ୍ଠ- ସର୍ବଶେଷ ସୁର ।
ଦଣ୍ତକର ପରେ-
ବିରହର ଦୀର୍ଘନିଶି,
ଟାଣିଦେବ କୃଷ୍ଣ ଯବନିକା ।
ନାଚ ସଖି ! ନାଚ, ଆସ ।
ଯେ ଘଡ଼ିକ ନିଷ୍ଠୁର ବିଧାତା
ଆଉ ରଖିଛି ଲୋ !
ମିଳନର ଅବସର ବାକି,-
ପ୍ରତିଟି ପଲକ ତା’ର ବିଅର୍ଥେ ନ ଯାଉ
ମାନିନି ଲୋ !
କାହିଁକି ଏ ଗୁରୁମାନ ବିନା ଅପରାଧେ ?
କିଣାକିଙ୍କରରେ ସଖି,
କଣାମାତ୍ର କରୁଣା ନାହିଁ କି ?
ଅରବିନ୍ଦ- ମଧୁକର !
ଘରେ ଫେର ।
ତର ନାହିଁ ମୋର,
ରସଖେଳା ପାତିବାକୁ ତୁମତୁଲେ ଆଉ ।
ଜଳୀ-ତଟ-ତଳି ବନେ, ଦେଖ-
ଅଙ୍ଗଭାର ମଣି ସତେ ବେଣୁବନପୁଞ୍ଜ
ଅକର୍ମ୍ମଣ୍ୟ ଶୁଷ୍କପତ୍ରେ,
ଫିଙ୍ଗିଲାଣି ତଳେ ।
ବଇଁଞ୍ଚ- ଗହଳେ,
ଝଙ୍କା ମଥା ପରେ ପରେ
ନାଲି ଝୁଲଖଞ୍ଜା ପାଗ ସାଜେ ।(କୁହୁ-କୁହୁ ରବ)
(ଚମକି) କିଏ ? କୋଇଲି ନା ?
ମଧୁକର- ହଁ, ହଁ ସେଇ କାଳକଣ୍ଠ, -
ବିଯୋଗୀ-ବଇରୀ ।
ନିର୍ଲ୍ଲଜ ନିପଟ ।
ଶୀତ ଛାଡ଼ି, ଛାଡ଼ି ନାହିଁ
ଧରାରୁ ଅବଧି ।
ଆଜହୁଁ କଣ୍ଠରେ ତାର
କୁହୁ ସାଧିଲାଣି ।
ଋତୁ ବିପର୍ଯ୍ୟୟ ସଖି ! ଋତୁ ବିପର୍ଯ୍ୟୟ ।
ଅରବିନ୍ଦ- ନା, ନା, ନୁହେଁ ବିପର୍ଯ୍ୟୟ ଋତୁ ।
ସ୍ୱାର୍ଥପର ତୁମେ ମଧୁଲିଟ !
ତେଣୁ ସିନା,
ବାରବାର ପାଶେ ମିଳି ମୋର,
ଅଳି ନାମ କରୁଛ ସାର୍ଥକ ।
ଦୂରେ ଘୂଞ୍ଚ-ଶଠ !
ଅଖଣ୍ତ ମିଳନ ବିଧି ନୁହଇ ବିଧିର ।
ସେଥିଲାଗି ପରା
ପ୍ରଣୟୀଯୁଗଳ ମୁଖୁଁ,
ବରି ଘେନେ ଉପାଧି ସେ;
‘‘ନିଷ୍ଠୁର ବିଧାତା ’’ ।
ତୁମେ ଯାଅ- ଯାଅ ତୁମେ ।
ଅବସର ନାହିଁ ମୋର ଚାହିଁବାକୁ ଫେରି ।
ମଧୁକର- କାହିଁ ଯିବି ?
କାହିଁ ଗତି ନବୀନା, ତୋ ବିନା ?
ଧୀଟ, ବୀଟ, ଲମ୍ପଟ ବୋଲାଏଁ ମୁହିଁ
କୁସୁମ-ଜଗତେ ।
ଏକା ତୋ’ର ଲାଗି ସିନା,
କଳଙ୍କ ବଦଳେ ଧନି !
ଗଉରବ ମଣେ ସେ ଉପାଧି ।
ଦୀର୍ଘ ନିଶି କ୍ରୋଟରେ ତୋହରି
ଭଗ୍ନଦନ୍ତ, ଦନ୍ତାବଳ ସରି,
ଅବା ମନ୍ତ୍ରମୁଗ୍ଧ ବିଷଧର
ନୀରବ ନିଥର ଯେହ୍ନେ,
ସେହିମତି-ସେହିମତି
ହୀନବଳ ହୁଏ ମୋର ଶୃଙ୍ଗ;-
ପଲକରେ ଅବହେଳେ
ତରୁଅଙ୍ଗେ ସୁଡ଼ଙ୍ଗ ଯେ ରଚେ ।
କାହିଁ ମୋର ଆଶ୍ରୟର ସ୍ଥଳି ?
କାହିଁ ଯିବି ତେଜି ସଙ୍ଗ ତୋର ?
ଅରବିନ୍ଦ- ଅଛି ମଲ୍ଲୀ, ଅଛି କୁରୁବକ ।
ଅଛନ୍ତି ଅନେକ।
ଦେଖୁନାହଁ ମଧୁକର !
କାଛି ପିନ୍ଧିଥିଲି ଶ୍ୟାମ କାଞ୍ଚଲା ପରା ମୁଁ,
ଅସମ୍ଭାଳେ ପଡ଼େ ଏଣେତେଣେ ।
ପତରଗହଳୁ ଦେଖ :
ତେରଛି ଅନାଏଁ ମୋତେ
ସେ ଚୋରା ବସନ୍ତ ।
ଯଣଆନ ସୁମନାର ପାଶେ,
ଜୀବିକା ଆଦରି ।
ମଧୁକର- ଛି, ଛି ସଖି
ଏ କି କଥା ମୁଖେ ତୋର ଆଜି ?
ନ ଜାଣୁ କି ?
ଥିଲେ ହେଲେ,
କୋଟି ସରୋବର;
କାର୍ତ୍ତିକେନ୍ଦୁ ସରି ଜଳ,-
ଫୁଟେ ଯହିଁ କୁମୁଦ, କହ୍ନାର ମୁଦେ,
ମରାଳ-ମାନସ ଏକା
ମାନସରେ ରମେ ପରା ଧନି !
ତେଣୁ ଲକ୍ଷ ଯୋଜନ ସଞ୍ଚରି
ମରାଳମାଳିକା ଧାଏଁ ମାନସରୋବରେ-
ଏକା ପ୍ରୀତିରୀତି ଟାଣ ବୋଲି ସିନା !
ଶତ ପୁଷ୍ପ ଥିଲେ ଥାଉ,
ତଥାପି,
ଏ ମଧୁକର,
ଅରବିନ୍ଦ କିଣା ।
ଅରବିନ୍ଦ- ଏଇ ଦେଖ;
ଲାଜେ ଆଉ ନ ବୁଡ଼ାଅ ମୋରେ ।
ସଭିଏଁ ହେଲେଣି ସଜ ।
ଆଉ, ଏକା ମୁହିଁ ଥିବି ବସି ପ୍ରଣୟୀର ପାଶେ ?
ଶୁଣୁଥିବି ଚାଟୁ ଗୁଣୁ ଗୀତି ?
ଫାଟିଯିବ ଛାତି ମୋର ;
ସହଚରୀ
ସଖୀ-ମୁଖ ପରିହାସ ଶୁଣି ।
ଯାଅ,, ଯାଅ ତୁମେ ।
ଦେଇଥିଲି କଣ୍ଟ-
ଯିବି ବୋଲି ସଙ୍ଗିନୀ ବଉଳ-ପାଶେ ।
ଚାହିଁଥିବ ପଥ ମୋର ସଖୀ ।
ମଠ କଲେ,
ଅପଯଶ ରଟିବ ଜଗତ ।
ପତର-ଉହାଡ଼ୁ, ଦେଖ !
ଫେରି-ଫେରି ବାର-ବାର
ଚାହେଁ କିଏ ସତେ !
ମଧୁକର- କମଳିନି !
ଚିହ୍ନିଲିଣି ତାକୁ-
ବୁଝିଲିଣି ମନ ତୋର ନାରି !
ଭଣ୍ତିବାକୁ ପୁରୁଷରେ ସଦା
ଏ ଜାତିର ସୃଷ୍ଟି ଜଗତରେ ।
କାହାଲାଗି ଏଡ଼େ ତରତର ?
କାହାଲାଗି ନୀଳାଞ୍ଚଳ ଚପଳ ଚଞ୍ଚଳ ?
କାହାଲାଗି ତେରଛ ନୟନକୋଣେ
ଫୁଟେ ଦରହାସ ?
ପାରିଲିଣି ବାରି ଛଳ ତୋର ।
ଆସୁଛି ମୁଁ -
ମନେ ରଖ କିନ୍ତୁ ଗୋ ନାଗରି !
ଚିରଦିନ ନ ଥିବ ବସନ୍ତ ।
ଚିରଦିନ ଏ ଚୋରା ମଳୟ ଆସି,
ଲୁଚିଲୁଚି ପତର-ଗହଳତଳୁ-
ମୁରୁକି -ମୁରୁକି ହସି,
ନ ହାଣିବ ତେରଛ ଚାହାଣି ।
ଏ ରଙ୍ଗ ତୋ ମଉଳି ପଡ଼ିବ ।
ଏ ଦିନର ଗୌରବ ଟଳିବ ।
ଏ ମଳୟ ଝଂଜା ପାଲଟିବ ।
ବିଦାୟ ସୁନ୍ଦରି ! ବିଦାୟ ।
କିନ୍ତୁ;
ଲୋ ନବୀନା !
ଗନ୍ଧ ତୋର ହରୁ ପଛେ ସବୁରି ମାନସ,
ଝୁରୁ ପଛେ ସହସ୍ର ନୟନ ତୋରେ,
ଆରେ ରୂପ-ଗରବିଣି !
ସାବଧାନ ଥିବୁ,-
ବୃନ୍ତେ ଯଥା ନ ଲାଗଇ ମନଚୋରୀ- ଛୁରି ।
ଜାଣିରଖ ନବଯଉବନି !
ମୋ ଚାହାଣି-ଚାହାଣିପାଇଁକି ଖାଲି ।
କାହାଣୀ ଗଢ଼ିବି ନାହିଁ
ଲୋଭାଇ ତୋ ଅଂଗ ।
( ଭ୍ରମରଗୁଞ୍ଜନ ନିକଟରୁ ଦୂରତର ହେଲା । ଘନ-ଘନ କୁହୁରବ ।)
ବଳଉ- ଛି, ଛି !
ତୁନି ହୁଅ, ବଡ଼ ନିନ୍ଦା-କଥା !
ଚଉକତି ଦେଖୁନାହଁ ବନ୍ଧୁ !
ଚୋରି ବସନ୍ତ ରଖିଛି ଅଗଣା ଜଗୁଆ ।
ବାହାର ବଇରୀଠାରୁ,
ଘରକୋଣ ଭଗାରି ଯେ ବିଷମ ତ ଜାଣ ।
ମଳୟର ପରିଚାର
ଏ ନୂଆ ପଲ୍ଲବ ଯେତେ,
ମଥା ଦୋହଲାଇ,
ଆସେ-ପାଶେ ଘୁରି-ଫେରି ପରା
ଚାହିଁଛନ୍ତି ସଜାଗ ନୟନେ ।
ଯୌବନର ପହିଲି ଉନ୍ମେଷ ମୋର ।
ଚୁପିଚୁପି ତୁମେ ପ୍ରିୟତମ !
ଆସିବ ମନ୍ଦିରେ ।
କୁହୁ-ଗୀତ ନ ଗାଇବ ଆଉ ବନପ୍ରିୟ !
ଶୁଣିଲେ କେ,
ସରିବ ମୋ କୁଳର ମହତ ।
କୋଇଲି- ସଜନି ଲୋ ! ବଉଳ ସୁନ୍ଦରି !
ଏକେ ତୋର ନବୀନ ଯୌବନ
ତହିଁତୁଲେ, ଯେ ମଦିର ଗନ୍ଧ
ତାଳୁ, ଅଯାଚିତେ ସଖି !
ବାଉଳା ମୋ ମନ ।
ଯେତେ ଭାଳେ ତୁନି ହୋଇ
ମନେ-ମନେ ଭୋଗିବି ଲୋ !
ଏ ସ୍ୱର୍ଗ-ସଂପଦ ।
ହୁଏ ନାହିଁ- ହେଲା ନାହିଁ ।
ଛାଏଁ-ଛାଏଁ କଣ୍ଠେ ମୋର
ଫୁଟଇ ସଂଗୀତ, ଅଜାଣତେ
ସାରାବର୍ଷ ବିରହକାତର
ଅଣାୟତ୍ତ ମନ ମୋର,
ପଞ୍ଚମରେ ଗାଏ ପ୍ରୀତି-ଗୀତି
ଏଇ ଋତୁ ସାରା ।
ବଉଳ- ବାରଣ ତ କରୁନାହିଁ ମୁହିଁ ।
କଣ୍ଠ ତବ,- କର୍ଣ୍ଣର ଅମୃତ ମୋର ।
ଗାଇଲେ ଗାଇବ ପଛେ,
ମଳୟରେ ସାବଧାନ ଥିବ ।
ସେ ନ ଥିବାବେଳେ,
ଆସ, ବସ, ଗାଅ, ରସ
ତୁମେ ତ ମୋ ସଖା,
ବନ୍ଧୁ, - ପ୍ରିୟଠାରୁ ପ୍ରିୟ ।
ରାଣ ଦିଏ ବାକି,
ଏତିକି ମିନତି ମୋର
ରଖିବ ଗୋ ହେତୁ ।
ମଳୟକୁ ଜଗିଥିବ ।
ଜାଣିଲେ ସେ ମିଳନ ଆମର,
କେତେବେଳେ ଆସି, ଅଚାନକେ
ଲୁଟିନେବ ଯୌବନସମ୍ଭାର ମୋର ।
ଝରି ମୁଁ ପଡ଼ିବି ଶେଷେ,
ରସାଳର ପାଦମୂଳେ ସିନା !
ମୁଖେ ମୋର ବୋଳିହେବ କାଳି ।
କୋଇଲି- ବଉଳ ଲୋ ! ନ ଜାଣୁ କି ତୁହି ?
ରସିକର ଗତଟା ବିଗତ ।
ଭବିଷ୍ୟତ !- କଳ୍ପନା ବାହାରେ ।
ବର୍ତ୍ତମାନ- ଆରାଧନା ତା’ର ।
ବର୍ତ୍ତମାନ ଘେନି ନିତି ଭୁଲେ ସେ ଅତୀତ ।
ଆଉ, ଭବିଷ୍ୟତ ଅନ୍ଧ-ଯବନିକା ?
-ଅନ୍ଧାର ଲାଗି ସେ ।
ବର୍ତ୍ତମାନ ଏକା ତା’ର ପରାଣଦୋସର ।
ଆସ ନବବଧୂ !
ତାଳଦିଅ ଦୋହଲାଇ ମଥା ।
ଗାଉଛି ମୁଁ ପଞ୍ଚମେ ସଂଗୀତ ।
( ପତ୍ରର ମର୍ମ୍ମରଶବ୍ଦ)
ବଉଳ- ( ଚମକି) ହେଇ ଶୁଣ !
କର ଲେଉଟାଣି ଶବ୍ଦ !
ମଳୟର ଘୁମନ୍ତ ପ୍ରହରୀ ଯେତେ,
ଉଠିଲେଣି ଚେଇଁ ।
ଦେହରୁ ଅଳସ ଭାଙ୍ଗି,
ମାରିଲେଣି ହାଇ ।
ଶୁଭୁନାହିଁ ପ୍ରିୟ !
ଯାଅ, ଯାଅ-ଦୁରେ ଚାଲିଯାଅ ।
କୋଇଲି-ଲୁଚି ତେବେ ରହୁଛି ମୁଁ ରସାଳଗହଳେ ।
ବଉଳ- ଜାଣିନାହିଁ ?
ନବୀନ ପଲ୍ଲବେ ପରା ମଳୟ-ନିଯୋଗ !
ଦେଖିବେ ସେ ତୁମକୁ ନିଶ୍ଚୟ ।
ବଡ଼ ଅବିଶ୍ୱାସୀ ।
ଟିପିଦେବେ ମଳୟର କାନେ ।
ଝାଙ୍କିଦେବ ଆସି ସେ ମଳୟ ରୋଷେ ।
ଅବା, କୁହୁଡ଼ି ଓଢ଼ଣା ଢ଼ାଙ୍କି
ଘୋଡ଼ାଇଦେବ ମୋ ତନୁ ସାରା ।
ଅଣ-ନିଶ୍ୱାସୀ ହୋଇ ମୁଁ
ମଉଳିବି ସିନା !
ତୁମ ତୁଲେ କରି ପ୍ରୀତି
ଏଇ ହେବ ତାର ପରିଣତି ?
ଯାଅ ତୁମେ ଚାଲି, ଦୁର ବନେ ।
କୋଇଲି- ଦୁର ବନେ !
କାହା ପାଇଁ ଗାଇବି ସଙ୍ଗୀତ ?
ବଉଳ- କାହିଁକି ?
ଚାହିଁଥିବ ପଲାଶ ସୁନ୍ଦରୀ ।
କୋଇଲି- ପରିହାସ ନ କର ସଜନି !
ପଲାଶର କଥା !
ସେ ତ ଗନ୍ଧହୀନା, ମାୟାହୀନା ।
ବସନ୍ତ କଟାରୀ ସେ ଯେ ।
ହଁ, ସୁନ୍ଦରୀ ସେ ସତ,
ହେଲେ, ଗୁଣ ନାହିଁ ଲେଶ ମାତ୍ର ତାର ।
ମୁଁ ନୁହେଁ ତ ରୂପର-ରସିଆ ।
ବଉଳ- କିନ୍ତୁ,
ମଳୟ ଯେ ଭିଆଇଛି ଯଉବନ ମୋର ।
ତାହାଲାଗି ସିନା
ତୁମେ ଆସିଛ ମୋ ପାଶେ ।
ବାକି ଦିନତକ,-ବର୍ଷସାରା,
କାହିଁ ଥିଲା ତୁମର ଏ ପ୍ରଣୟ-ଭାରତୀ ?
ଛଳପଟୁ କଳକଣ୍ଠ ତୁମେ,
ଯାଅ, ଦୂରେ ଯାଅ।
କୋଇଲି- ଏତେ ଆଶା, ଏତେ ଅନୁନୟ ମୋର
ସବୁ ଠେଲି ଦେବୁ ପଦେ,
ଯୌବନର ଗରବର ଫୁଲି ?
ଚିରଦିନ ଥିବ କି ଏ ଟେକ ?
ଏ ଯୁବ-ସୌରଭ ତୋର
ଧରାରେ ଲୋଟିବ ।
ଲୁପ୍ତ ହେବ ଶିରୀ ।
ଭୁଲିଯିବ ଜଗତ ତୋ ଛାୟା ।
ଯାଉଛି ମୁଁ ଦୂରେ ।
ବିରହର ଗୀତି ମୋର
ଜନମର ସାଥୀ ।
ବଉଳ- ଛି, ଛି,
ରୁଷିଲ କି ପ୍ରିୟ !
ମୋହୋ ରାଣ, ଆସିବଟି ଫେରି ।
କୋଇଲି- ଆଉ ପୁଣି ? ନା, ନା ।
ନ ଚାହିଁବି ଫେରି ତୋ ଆନନେ;-
ଆଖିଜଳ ନିଗାଡ଼ିବା ଆଶେ
ସ୍ମୃତିକୁ ରସାଣେ ଯାହା,
ଅପାଶୋରା ରସେ ।
ବୁଝିଲି ମୁଁ, ଭୁଲାଇ ତୁ ଜାଣୁ ଭଲ
ମଳୟ-ପ୍ରେୟସୀ !
ବାର ବାର ଅବହେଳା ତୋର
ସହି ସହି ଫାଟିଯାଏ ବୁକୁ ।
କଣ୍ଠ ମୋର ବେଦନାମୁଖର
ଗାଇ ଗାଇ ତୋ’ର ଚାଟୁଗୀତି ।
ମଳୟରେ ଏତେ ଯେବେ ମାୟା,
ମନଭୁଲା ମଥାହଲା ମୋଲାଗି କାହିଁକି ?
ଜାଣିଲି ମୁଁ ଏ ପୀରତି ଫଳ-
ନୁହେଁ ଶୁଭ ।
ସେ କେବଳ କୁ-କୁ-କୁ ।
( କୋଇଲିର ‘କୁହୁ’ ଶୁଣାଗଲା )
ଇନ୍ଦ୍ରିବର- ଉଃ । କି କହିବି ?
ସହିଛି କଷଣ ବହୁ ।
ସହୁଛି ତ ଏବେ ମଧ୍ୟ
ସହିବି କି ଜୀବ ଥିବା ଯାଏ ?
ବେଦନାର ନାହିଁ ଅନ୍ତ ସତେ !
ସାରା ଦିନ ଦାଉ ସାଧି ପ୍ରଚଣ୍ତ ତପନ
ସହସ୍ର ଶରରେ ମୋତେ କରେ କଲବଲ ।
ମୋ କଥା ତ ଛାର ।
ତୁହୀନ ଶୀତଳ ନୀର,
ତାତି ସହେ ସିନା ଏକା ମୋ ଜନମ ହେତୁ ।
ତଳେ ମୋର ବ୍ରହ୍ମନାଡ଼ ତାତେ ।
ଅନ୍ତରଦାହରେ ତାତେ ଛାତି ।
ଉପରୁ ବରଷେ ପୁଣି ଖର ଖରାତାପ ।
ତଥାପି ଚନ୍ଦ୍ରମା !
ପ୍ରାଣପ୍ରିୟ ତୁମେ ମୋର ।
ତୁମ ପଥ ଚାହିଁ
ଆଶାରେ ଆଶାରେ ହସେଁ,
ଅଭିମାନ, ଅପମାନ ମନେ ମନେ ମାରି ।
ଚନ୍ଦ୍ରମା- ପ୍ରେୟସୀ ଲୋ !
ଇନ୍ଦିବର ଧନି !
ଅନ୍ତରର ବ୍ୟଥା ମୋର
କହିବି କାହାରେ ?
ବିଧିଲିପି, ବିଧିଲିପି ସଖି !
ଇନ୍ଦିବର- ନା, ନା
ଛଳନାର ଅବତାର ତୁମେ ।
ଭଣ୍ତାଇ ଜାଣିଛ ଭଲ ଅବଳାର ମନ ।
ଚନ୍ଦ୍ରମା- ଛି, ଛି,
ଏ କଥା କହିଲା କିଏ ?
ତୁ ପରା ଲୋ, ଜୀବନ-ସର୍ବସ୍ୱ ମୋର !
ଇନ୍ଦିବର- ରବି ଯେତେ ଭୁଲାଇଲେ,
ଯେତେ କଲେ ଅତ୍ୟାଚାର,
ଭୁଲିଛି କି ତୁମ ପ୍ରୀତି କେବେ ?
ଆଉ ତୁମେ ?-
ଚନ୍ଦ୍ରମା- ବାନ୍ଧବୀ ରେ !
ଅକାରଣେ ଦୋଷୁ ସିନା
ଅଭିମାନେ ମୋରେ ।
ତୋହଛଡ଼ା କେ ଅଛି ମୋହୋର ?
ଇନ୍ଦିବର- କି କହିଲ ?
କେ ଅଛି ତୁମର ?
ଆହୁରି ଛଳୁଛ ମୋତେ ?
ଚକୋରକୁ ଦେଖିନାହିଁ ମୁହିଁ ?
ଲୁଚାଉଛ ମୋତେ ଦଗାଦାର !
ଇସ୍, ନିର୍ଲ୍ଲଜ ଆନନ୍ଦ !
ଦେଖା ତୁମେ ଦିଅ ଯେବେ
ଆକାଶର କୋଣେ,
ଶୁଣ ତା’ ସଙ୍ଗୀତ ରସି,
ସେତେବେଳେ
କି ଦେଖିବ ନୃତ୍ୟଭଙ୍ଗୀ ତା’ର ?
ମେଘକୋଳେ ସତେ ଅବା ଯାଉଥିବ ମିଶି !
ଛି, ଛି, ଧିଟପଣ ସରିଛି ତା’ଠାରୁ ।
ଏଡ଼େ ଅଲାଜୁକୀ ?
ସେ ପୁଣି ଆଦର ପାଏ
ତୁମଠାରୁ ପରା ?
ଚନ୍ଦମା- ନା, ନା, ଭ୍ରମ !
ନୁହେଁ ସେ ପ୍ରେୟସୀ ।
ପୂଜାରୁଣୀରୂପେ,
କରେ ସିନା ନିରାଜନା ମୋର ।
ଇନ୍ଦିବର- ଓଃ, ନିରାଜନା !
ମୁଁ କି ଜାଣେ ନାହିଁ ?
ଦିନସାରା ଖରତର ତପସ୍ୟା ମୋହୋର,
ବୁକୁ ଖୋଲି ଦିଏ ମୁଁ ସର୍ବସ୍ୱ,
ମଧୁ ମକରନ୍ଦ ତୁଳେ ଗନ୍ଧ ଦେଇ ପୂଜେଁ;
ତଥାପି ହୋଇଲା ମୋର ସେବାର ଖଲର ?
ହଁ, ଏ କଥା ମାନୁଛି- ମାନୁଛି ମୁଁ
ବାରନାରୀ ସରି,
ଗୀତ ଗାଇ ନାଚି ଜାଣେନାହିଁ
ଜଗତିରେ ଡ଼ିଣ୍ତିମ ବଜାଇ,
କରି ସେବାର ଛଳନା ।
ଏଡ଼େ ଲାଜ-ଛଡ଼ା କାହିଁ
ଦେଖିଛ କି କୁଳ-କାମିନୀରେ ?
ଚନ୍ଦ୍ରମା- ନୀଳୋତ୍ପଳ ! ବୁଝୁନାହିଁ ସଖି !
କହିଲି ମୁଁ ପରା ?
ଚକୋର ମୋ ଅନୁଗତ ମାତ୍ର ।
କିରଣକଣିକା ପାଇଁ ବଜ୍ରକୁ ପତାଇ ମଥା,
ଜୀବନଟା କୃତାର୍ଥ ମଣେ ସେ ।
କିନ୍ତୁ ;
ମୁଁ ପରା ତୋ ପ୍ରୀତିର କୋୟର ?
ତୋ ଅଧର ବିନ୍ଦୁମିତ ସୁଧା ମୋ ପିଆସ ।
ସେହି ଆଶେ,
ଦେଶଦେଶାନ୍ତର ଲଙ୍ଘି,
ଧାଏଁ ଲୋ, ରୁପସି ! ପାଶେ ତୋ’ର ।
ପଥେ ପଥେ ଦୁର୍ଗମ କାନ୍ତାର,
ନଦୀ, ଗିରି, ଉପତ୍ୟକା, ବନ,
ମରିଚିକାବାହୀ ତପ୍ତ ମରୁ,
ତୁଙ୍ଗ ତରଙ୍ଗିତ ମହୋଦଧି
ପାର ହୋଇ ଆସୁ ଆସୁ,
ଦିନେଅଧେ କେବେ ସିନା
ହୁଏ ମୋର ଉଛୁର ସହଳ ।
କି କରିବି ଅଣାୟତ୍ତ ମୁହିଁ ।
ଅଭିମାନ ତେଜ ଲୋ ପ୍ରେୟସୀ;
ଇନ୍ଦିବର- ଇସ୍, ମିଛରେ ପୂରିଛି ତନୁ ସାରା !
ତୁମ ଦଗାଦାରପଣ ଅଜଣା କି ମୋତେ ?
ଚାଟୁ ଭଣତିରେ ପଟୁ ନିପଟ କପଟ
ତୁମେ ଶଶୀ ! ଉଛୁର ସହଳ ଖାଲି ?
ମାସକରେ ଦିନେ ପରା
ହଟ କରି
ଦିଅ ତୁମେ ମୁହଁଛପା ?
କହ ଦେଖି ?
କିଏ ଅଛି ମୋର ଆଉ,
କାହା ମୁଖ ଅନାଇଁ ବଞ୍ଚିବି ?
କାହିଁ ଥାଅ ଲମ୍ପଟ ପୁରୁଷ !
ଅନ୍ଧାରେ ଅନାଇଁ ଯେବେ,
ଅନ୍ଧାରେ ମିଳାଏଁ,
ଆଶାରେ ଆଶାରେ ଢ଼ାଳି ନୟନୁ-ଶିଶିର ?
ଆଜି ଆସି, ପୂର୍ଣ୍ଣଚନ୍ଦ୍ର ମୁଖ ମୋତେ
ଦେଖାଉଛ ହସି ?
ଭୁଲାଇବା ପାଇଁ ନାରୀ-ସରଳ-ପରାଣ !
ଯାଅ-ଯାଅ ବୀଟ !
ଥାଉ ହତଭାଗିନୀର ତିମିର ସମ୍ବଳ ।
ଚନ୍ଦ୍ରମା- ଅବୁଝ ହୁଅ ନା ମାନବତୀ !
ଜାଣୁ କି ସରଳା ! ବିଧି-ବିଧି ?
ଅଖଣ୍ତ ମିଳନ ନୁହେଁ କାହା ଭାଗ୍ୟେ ଲେଖା ।
ବଡ଼ ଅସହଣୀ ସେ ବିଧାତା ।
ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ, ସଂଭୋଗ ତୁଲେ
ରୂପ, ବଇଭବ;-
ଯାହା ବୋଲ ଜଗତେ ସୁନ୍ଦର,
ସବୁ ସଂପାଦି ରଖିଛି
ନିଜ ପାଇଁ ପରା !
ଷୋଳକଳା ତାର ଆପଣାର ।
ସ୍ୱାର୍ଥପର ବିଧି ।
ଦୋଷୀ ମୋତେ ଫଳ ନାହିଁ ଧନି !
ଦିଆଇ, ନିଆଇ-
ସବୁ ମତେ ନଛ ଦେଇ,
ଖସିଯାଏ ଛଳେବଳେ ଆପେ ।
ଥାଏ ପୁଣି ଦୂରଦୁରାନ୍ତରେ;
ସାଗର ମଝିରେ ।
ଅନନ୍ତ ଶୟନେ
ଆନନ୍ଦେ ପହୁଡ଼ି,
ସବୁରି ସେ ଦେଖେ ଲଟ,
ସୃଷ୍ଟି ଦୃଷ୍ଟି ଅନ୍ତରାଳେ ।
ଇନ୍ଦିବର- ହେଲା ଅବା ସତ,
ଊଣା କି ତୁମର ଗୁଣ ?
ନିଜ ବକ୍ଷେ ଦେଖ ଶଶଧର !
ଆଶାରେ ଆଶାରେ, ଶେଷେ
ଶଶ ଝୁରି ତେଜିଲା ପରାଣ ।
ତେଣୁ ସିନା ଜଗତରେ କଳଙ୍କ-ରଟନା ?
ପ୍ରୀତି ପରିଣତି ତାର ନିରାଶ-ମରଣ ।
ଫେର ଧିଟ ! ଦୁଃଖର କାହାଣୀ ସିନା
ସମୁଝିବ ଦୁଃଖୀ ।
ଯେ ଅନଳେ ଦହିଛ ଅବଳା-ମତି,
ସେ ଅନଳ ଦହନର ନେବି ପ୍ରତିଶୋଧ ।
ତେବେ ଯାଇ ପୂରିବ କାମନା ।
ଚନ୍ଦ୍ରମା- ଅଭିଶାପ ତୋର ସଖି !
-ଅଙ୍ଗର ମୋ ଚନ୍ଦନ ପ୍ରକାର ।
ମାନିନୀ ଲୋ !
ପଦେ ମାତ୍ର କଥା ଶୁଣ ମୋର ।
ନାହିଁ ଅବସର ଆଉ ।
ପ୍ରାଚୀତଟେ ଅନାଁ,
ଉଷା ଆସି ମାରେ ଦରହସା ।
ଘର କଳି ନ ପଡ଼ୁ ଦାଣ୍ତରେ ।
ଆସ ଧନି !
ଦିଅ ଖାଲି ଆଲିଙ୍ଗନ ବାରେ,
ସ୍ମାତି ଘେନି ବିରହ-ଦିବସ ମୋର,
ବିତିଯାଉ ଖର ନିଶ୍ୱାସରେ
ଇନ୍ଦିବର- ଛି, ଛି !
ଭରମେ ହେଲେ ଶ୍ରୀମୁଖେ ଶରମ ନୋହିଲା ?
ଛଳିବାକୁ, କପଟ ପୁରୁଷ !
ଆସିଥିଲ ଆଜି
ଦୁଃଖଜଳେ ବସାଇ, ଭସାଇ,
ନିଜ ସୁଖେ ଯିବ ବୋଲି ଚାଲି ?
ଯାଅ, ଯାଅ ନିଶାକର !
ଶୁଣିବାକୁ ଛଳ ବୀଟ-ଚାଟୁ
ତର ନାହିଁ ମୋର ।
ପରତେ ନୋହିଲେ,
ଶୁଣ ! ଶମ୍ଭୁଆଳେ ଘନ କମ୍ବୁନାଦ ।
କଜଳପାତିଆ ଚେଇଁଲାଣି ।
ଓଃ, ଓଃ !
ପାହାନ୍ତି ପବନ ଛୁଆଁ ବାଧଇ ତନୁରେ ।
ଅବଶ ମୋ ଅଙ୍ଗ ।
ମନକଥା ରହିଲା ମନରେ ।
ଶଠ ପଣ ପ୍ରତିଶୋଧ ନେଲେ,
ଫିଟାଇବି ମୁଖ ।
ଚନ୍ଦମା- ଇନ୍ଦିବର ! ସଖି !
ଇନ୍ଦିବର- ନାଁ, ନାଁ, ଆଉ ନୁହେଁ ।
ଦୂରେ ଯାଅ ନିର୍ଲ୍ଲଜ ପୁରୁଷ !
ଦେଖ, ଦେଖ !
ନାଲି ଓଠେ ହସେ ଉଷା
ଦେଖି ତୁମ୍ଭ ଛଇ ।
ପ୍ରଜାପତି- ପହୁଡ଼ି କି ଭାଜି ନାହିଁ
ଏତେବେଳ ଯାଏ ?
ଯଉବନ ମଦ-ଘୁମେ ଅବା
ତୁଟି ନାହିଁ ଅଳସ ଅମଳ ?
ଅଶୋକ ଲୋ !
ଦୁର ପରବାସୀ ଆସି
ଦୁଆରେ ତୋହର ପରା,
କରଯୋଡ଼ି ମିନତି ଜଣାଏଁ ?
ଶେଜ ତେଜ ବରବଧୂ !
ପ୍ରଭାତିଲା ନିଶି ।
ଅଶୋକ- କିଏ ? ପ୍ରଜାପତି !
ମନେ କି ପଡ଼ିଲା ଏତେଦିନେ ?
ଚାହିଁ ଚାହିଁ ହେଲା ଆସି ଯଉବନ ଅନ୍ତ,
ସଙ୍ଖୋଳିବ ଆସିଅଛ, କଥା ରଖିବାକୁ ?
ପ୍ରଜାପତି- ନାହିଁ ଲୋ ଅଶୋକ !
କି କରିବି, ଅଣାୟତ୍ତ ମୁହିଁ ।
ମଳୟ ମୋ ତୁଲେ କଲା ହଟ ।
ଧାଇଁ ମୁହିଁ ଆସେ ଯେବେ,
ପାଶେ ତୋର ସଖି !
ମଳୟ ପାଲଟି ଝଞ୍ଜା
ଉଡ଼ାଇ ନିଏ ଲୋ, ଦୁରୁଁ ଦୁରେ ।
ପୁଣି ଆସେଁ-ପୁଣି ଫେରେ ।
ଅନାହାରେ, ଅନିଦ୍ରାରେ,
ବିତେ ମୋର କାଳ ।
ବହୁ କଷ୍ଟେ ଆଜି ଏବେ
ମଳୟରେ ଲୁଚି ଲୁଚି,
ଆସିଛି ତୋ ପାଶେ ।
ଅଭିମାନ ତେଜ ଲୋ ସୁନ୍ଦରୀ !
ଅଶୋକ- ( ଛଳାଇ) ହଁ ହଁ, ସତ୍ୟବାଦୀ ଋଷି !
ପକ୍ଷରେ ବିଚିତ୍ର ଚିହ୍ନ,
ସମ୍ଭବିଲା କାହୁଁ ?
ପ୍ରଜାପତି- ନ କହ, ନ କହ ସଖି !
ସେ କଷଣ କଥା ।
ବିଧି- ବିଡ଼ିମ୍ବନା ସବୁ ।
ବାରବାର ପଡ଼ିଉଠି,
ଚଳଝଞ୍ଜା ତୁଳେ ଲଢ଼ି,
କାହିଁ କେତେ ଠାବେ
ପକ୍ଷେ ଲାଗିଛି ମୋ ଚିହ୍ନ ।
ଧଳା, ନେଳୀ, ହଳଦିଆ,
ମିଶ୍ର, ଅତି ମିଶ୍ର ବର୍ଣ୍ଣେ
ବିଚିତ୍ର ମୋ ସାରା ତନୁ ଦେଖ ।
ଅଶୋକ- ଦେଖିଲିଣି, ବୁଝିଲିଣି ।
ଯେତେ ଘର ଭ୍ରମିଛ ଲମ୍ପଟ !
ତେତେ ଠାବୁଁ,
ଗୋଟି ଗୋଟି କଳଙ୍କର ଚିହ୍ନ !-
ଅଙ୍ଗେ ତାହା ଅଲିଭା ଅଦ୍ୟାପି ।
ନାରୀ ବୋଲି,
ସରଳା ବୋଲି ମୁଁ,
ସହଜରେ ଭୁଲାଇ ମାନସ,
ଆସିଛ କପଟ !
ଲୁଟିନେବ ମଧୁ,
ବୃତ୍ତି ଅନୁସରି ପୁଣି
ଯିବ ଆନ ଫୁଲେ ।
ଆବୃତ୍ତି କରିବ ବସି ସେହି ଘୋଷାପାଠ ।
ନାନା, ଚିହ୍ନିବାକୁ ବାକି ନାହିଁ ଆଉ ।
ଯାଅ ନିଜ ପଥେ ।
ପ୍ରଜାପତି- ଜୀବନଟା ଦୁଃଖଭରା ମୋର ।
ଅବଶେଷେ ଆସିଥିଲି
ଆଶ୍ରାକରି ଅଶୋକ ଲୋ ! ତୋତେ,
ନାମ ତୋର କର ଲୋ, ସାର୍ଥକ ।
ପଦତଳେ ତୋର,
ଗଲେ ଜୀବ,-
ହୋଇ ଦଗ୍ଧ ବିରହ- ଅନଳେ,
ଅଶୋକ-ଭରସା କରି
ସଶୋକେ ମଲି ମୁଁ ବୋଲି
ଭଣିବଟି ଜଗତଟା ସାରା ।
ଏ କଳଙ୍କ ରଖିବୁ ତୁ କାହିଁ ?
ଅଶୋକ- ହୁଁ, ଆଉ କି କଳଙ୍କେ ଡ଼ର ?
ଅଶୋକ ମୋ ନାମ ସିନା
ରଖିଥିଲା ବିଧି !
ଶୋକେ ମରେଁ ନିଶିଦିନ ଝୁରି ।
ଅଶୋକ କାହାକୁ କରି
କି ଲାଭ ମୋହର, କହ ।
ଦେଖୁନାହଁ !
ଅଛି କି ମୋ ଅଙ୍ଗେ ବାସ ଲେଶ ?
ବାସ ତେଜି, ଲାଜ କୁଳମାନ
ସବୁରେ ଟେକିଛି ଜଳାଞ୍ଜଳି ।
ଏକା ଥିଲେ ଅବା ମୁହିଁ
ଡରନ୍ତି କାହାରେ ।
ସଙ୍ଗେ ଦେଖ-କେତେ ସାଥୀ ।
ଏକା ନାବେ ବସିଛୁଁ ସଭିଏଁ ।
ଆସିଲେ ସୁଦିନ,
ଛାର କଳୀ ହୋଇ
ଯେବେ ଦଳିପାରେ କଳି ପୁରୁଷରେ,
ହସିବି ସେ ଦିନ, ମନଭରି ।
ପ୍ରଜାପତି- ଏଇକି ଗୋ ଶେଷ କଥା ରାଣୀ ?
ଟେକି ମୁଖ ହେର ସଖି !
ବିରହ- ପୀଡ଼ନେ ତନୁ ଶୀର୍ଣ୍ଣ ।
ଅସ୍ଥି, ଚର୍ମ, ରକ୍ତ, ମାଂସ
ନ ହୁଅଇ ବାରି ଅଙ୍ଗେ ମୋର ।
ସାର ମାତ୍ର ଛାର ପକ୍ଷ ଘେନି ।
ବହୁଦୂରୁ, ବହୁ ଆଶା ପୋଷି,
ଝଡ଼ଝଞ୍ଜା କଷଣ ନ ମାନି,
ଆସିଥିଲି ପାଶେ ଲୋ ସୁନ୍ଦରୀ !
ଶୋକଭାର ତେଜି
ତୋ ଆଶ୍ରୟେ ଅଶୋକ ମୁଁ
ହେବି ବୋଲି ପରା !
ଅନୁଗତେ ନିରାଶ ନ କର ରୂପବତୀ !
ଅଶୋକ- ଯାଅ, ଯାଅ,
ବାରିପାରୁନାହଁ ଅଙ୍ଗଗନ୍ଧ !
ନିଆଳୀ ଆସୁଛି ପାଶେ ମୋର ।
ଉଦନ୍ତ ସେ ଦେଇଥିଲା ମୋତେ,
ଅଛି ବୋଲି ଗୁପ୍ତ ପରାମର୍ଶ ।
ଥିଲେ ତୁମ୍ଭେ ପାଶେ,
ପଣ୍ଡ ହେବ ଶ୍ରମ ତାର ସିନା !
ଫେର ନିଜ ପଥେ ।
ଦେଖାହେଲେ ହେବ ଆଉ କେବେ ।
ପ୍ରଜାପତି- କାହିଁ ଯିବି ଆଉ ?
ଡର ଲାଗେ,-
ନ ପୁଣ ବସନ୍ତ ଆସି,
ତଡ଼ିନେବ ଝଞ୍ଜା ତୁଲେ ମୋତେ ।
ହେବି ପକ୍ଷହରା ।
ପଲ୍ଲବ ଉହାଡ଼େ ତୋ’ର
ଦେହଛପା ଦେଇ, ଥିବି ବସି ।
ଅଶୋକ- ନା ନା, ଅନ୍ୟ ତରୁପାଶେ ଯାଅ ।
ଆସ କେବେ ବେଳ ଦେଖି,
ପାଶେ ମୋର ପଛେ;
ତର ଥିଲେ କହିବି ଦି’ କଥା ।
ଆପେ ତ ଖୋଳିଛ ଖଣା
ଫୁଲୁଁ ଫୁଲେ ବୁଲି ।
ଜାଳି ଆଗେ ନିଜ ଅଙ୍ଗ
ଅନଳ ଜାଳଇ ସିନା ପରେ ।
ଏ କଥା କି ଭୁଲିଗଲ ମନୁ ?
ବେଗେ ଯାଅ ।
ଆସିଲାଣି ନିକଟେ ନିଆଳୀ
ସଂଖୋଳିବି ତାକୁ ।
ପାଶୋରା କଥାକୁ ପୁଣି ଚେତାଇ ଚେତାଇ,
ଗତି ତବ ନ କର ମନ୍ଥର ।
ନିଆଳୀ- ଅଶୋକ ଲୋ !
ଆସୁଛନ୍ତି ପାଶେ ତୋର,
ଭାଳିବା ପାଇଁକି
ଅରବିନ୍ଦ, ବଉଳ ସହିତେ
ସଖୀ ଇନ୍ଦୀବର ।
ଜାଣିଛୁ ତ
ସମଦୁଃଖିନୀ ସଭିଏଁ ।
ଶୋକ ହରିବାର ଲାଗି
ଆସୁଛନ୍ତି ତୋ ପାଶେ ଅଶୋକ !
ଅଶୋକ- ନିଆଳୀ ଲୋ !
ଏବେ ପରା
ଗଲେ ମୋ ପାଶରୁ ପ୍ରଜାପତି;-
ଅଫୁଲା ନାଗର ମୋର ।
ସହିଲି ଅନେକ ।
ଭୋଗିଲି ତ ଅଶେଷ ଦୁର୍ଦ୍ଦଶା ।
ତହିଁରେ ପୁଣି, ପୁରୁଷେ ଯିବି ମୁଁ ପରତେ ?
ମିଳିଗଲା ଆଳ ଭାଗ୍ୟବଳେ ।
ତୋ ଆଗମ ବାରତା ମୁଁ ଦେଇ,
ଦୂରେ ତାଙ୍କୁ କହିଲି ଯିବାକୁ ।
ହେଇଟି ତ !
ତୁଣ୍ଡକଥା ଅଛି ତୁଣ୍ଡେ ତୁଣ୍ଡେ,
ଆସିଲେଣି ସବୁ ।
(ଅରବିନ୍ଦ, ଇନ୍ଦୀବର, ବଉଳ ଆସିଲେ)
ଅରବିନ୍ଦ- ଅଶୋକ ମ !
ସବୁ ଦୁଃଖୀତକ
ଆଜି କୁଣିଆ ତୋ ଘରେ ।
ଇନ୍ଦୀବର- ବଡ଼ ବାଧା ଲାଗିଛି ପରାଣେ
କହିଦେଲେ କିଜାଣିବ ।
ତୋହପରି
ଦରଦୀ ବନ୍ଧୁରେ-
ଲଘୁ ହେବ ହୃଦୟର ଭାରା ।
ଏଇତକ ସବୁରି ଭରସା ।
ବଉଳ- ସତେ ସହି !
ଜୀବନରେ ଥାଇ,
ନୁହେ ସହି ନିତି ନିତି ଦୁଃଖ ।
ଏହାଠାରୁ ମରଣ ତ ଶତଗୁଣେ ଭଲ ।
କାହା ମନକୁ ମୋ କଥା
ଆସୁ କି ନଆସୁ,
ମୋ ମନ ଗୁମର କଥା
କହି ଦେଲି ମୁହିଁ ।
ଅଶୋକ- କି କଥା କହିବ ଶୁଣେ ?
ଅରବିନ୍ଦ- କହ ଲୋ ନିଆଳୀ !
ନିଆଳୀ- ସବୁତ ଜାଣିଛୁ,
ଏକା ଦୁଃଖ ସଭିଙ୍କର ।
କାହା କଥା କହିବି ତୋ ଆଗେ ?
ଜନମ ଧିକ୍କାରେ ସଖି !
କପଟ ବିଧାତା-
କୁସୁମକୁଳରେ ସିନା ଦେଇଛି ଜନମ,-
ଅତି ସୁକୁମାର କରି,
ହେଲେ, କପାଳ ଆମର ଫଟା ।
କିଏ ଅବା ଭାଳୁଥିବ-
ଦେବତାର ଶିର, ଊର ପରଶ
ଆମର ଗର୍ବ,
ପୋଡ଼ିଯାଉ, ପୋଡ଼ିଯାଉ-
ତା’ର ସେ କଳ୍ପନା ।
ସେ ଭାଗ୍ୟ ଆସଇ କିନ୍ତୁ,
ମରଣର ପରେ;-
ବୃନ୍ତ ଛିନ୍ନକରି ଯେବେ,
ମାଳାକାର ସଜାଡ଼େ ଚାଙ୍ଗଡ଼ା,
ତେବେ ଯାଇ ମୁକତି ଆମର ।
ଭଲା, କହିଲୁ ତୁ,
ଏ କଥା କି ମିଛ ?
ଜୀବନରେ ଥାଉ ଥାଉ,
ଦିନେ ହେଲେ ମିଳିଲା କି ସୁଖ ?
କାହାରି ‘ବାହାବା’ ପଦେ
ନ ଶୁଣିଲା କାନେ ।
ଆଉ,
ଜୀବଗଲେ-ମଲା ପରେ,
ଅଜାଡ଼ିଲେ ପ୍ରଶଂସା ଶଗଡ଼,-
କେଉଁ ଶୁଆଗ ମ ସିଏ ?
କେଉଁଥିକି ପାଏ ?
ଇନ୍ଦୀବର- ନାହିଁ, ନାହିଁ,
ମିଳେକି ନିସ୍ତାର ସହି,
ଜୀବ ଗଲେ ହେଲେ ?
ତୁ’କି ଜାଣି ନାହୁଁ ?
ମରଣର ପରେ ପରା,
ଆମ ରୂପ, ଆମ ଗନ୍ଧ;-
ଯାହାକୁ ବୋଲନ୍ତି ଲୋକେ
ପୋଡ଼ା ବିଧାତାର ଦାନ ବୋଲି,-
ତାହାରି ଲୋଭରେ,
ଅକୃତଜ୍ଞ ମାଳାକାର,
ଆମ ଗର୍ଭରନ୍ଧ୍ରେ ଭରି ପଟ,
ଆମରି ସମାଧି ରଚି,
ନିଜ ବୁକୁପରେ ମାରି ହାତ,
ନିଏ ବାହାଦୂରୀ !
ଆଉ ବିଚାରି କହିଲୁ ସହି !
ନେବାଜନ-ଦେବାଜନ,
କିଏ ସେ କାହାକୁ ଊଣା
ଅବୁଝାମଣାରେ ?
ଅରବିନ୍ଦ- ଥାଉ, ଥାଉ ।
କାହିଁକି ବସି ସେ ଦୁଃଖ
ବଖାଣୁଛୁ ଆଉ ?
କହୁଥିଲେ ନ ସରିବ
ଅନୁଭବ କଥା ।
ରସିକ ପଣରେ-
କେବେ ଅବା ଯେବେ କେହି,
ଆମ ସଉଭାଗ୍ୟ ଗୁଣେ
ସେଇ ରୂପ, ରସ, ଗନ୍ଧେ ଭଳି
ସମାଦର କରନ୍ତି ଆମକୁ;-
କେତେବେଳ ଲାଗି ତାହା ?
ଜଣେ କିଏ କରେ ଧରି
ରୂପ ମୋହେ ଭୁଲେ ।
କିଏ ଅବା ଗନ୍ଧରେ ପାଗଳ ।
ଦିଏ କିଏ ଚୁମା ।
କିନ୍ତୁ;-
ସବୁ ଖାଲି ଦଣ୍ଡକର ଲାଗି ।
ପରମୂହୂର୍ତ୍ତରେ ଦିଏ ଫିଙ୍ଗି,
ଅବା ଦଳିଦିଏ ପଦେ,
ତୁଛା ଅରସିକ ପଣେ ।
ନିଆଳୀ- ଆଲୋ ସହି !
ଭାଗ୍ୟ ଯଦି ଥାଏ କା’ର;-
ମୁହୂର୍ତ୍ତକ ପାଇଁ ହେଉ ପଛେ,
ହୁଅଇ ସେ ଦେବତା ସେବିକା ସିନା !
ଜୀବନ୍ତରେ କିନ୍ତୁ,
ଜାଣିବାରେ ମୋର-
ଧୀଟ, ବୀଟ, ଲମ୍ପଟର
ଖେଳର ପିତୁଳା
ଆମେ ପରା !
ଅଶୋକ- ହଁ, ହଁ, ଏ କଥା କହିଲୁ ସତ ।
ବଉଳ- ଖାଲି ସତ !
ନିରାଟ ସତ ନା ।
ଶୁଣ୍, ମୁଁ କହୁଛି;-
କୋଇଲି ପାଖରୁ ନିତି
ହୁଏ ମୁଁ ନିରାଶ ।
ମରେଁ ଜଳିପୋଡ଼ି ।
ସୁ’ କରି କାହୁଁ ଉଡ଼ି ଆସି
ଦଣ୍ଡେ ରସି,
ଚୁମା ଦିଆନିଆ ସରିଥିବ କି ନ ଥିବ,
କୁ’ ବୋଲି ଛାଡ଼ି ଉଡ଼ିଯାଏ ।
ଜାଣିଚ ତ ସବୁ !
ଇନ୍ଦୀବର- ତୋହ ତହୁଁ ବଳି ମୋ ଦୁର୍ଭାଗ୍ୟ ।
ମୋ ନାଗର-
ଚନ୍ଦ୍ର କଥା କି କହିବି ସଖି !
ଦୁଃଖେ ମୋର,
ସରସୀର ବୁକୁ ପରା ସତେ
କମ୍ପିଉଠେ ଥରି ଥରି ।
ଅରବିନ୍ଦ- ଆଉ, ମୋ ପୋଡ଼ା କପାଳ ସଖି,
ନ ଥିବ କାହାରି ବ୍ରହ୍ମାଣ୍ଡରେ ।
ଚିହ୍ନିଥିବୁ ତୁ ତ ମଧୁଲିଟେ,-
ସେ ଶତଘରିଆ;-
ଲମ୍ପଟପଣେ ସରିଛି ଜନମ ଯାହାର ।
ଇସ୍ ! ଏଡ଼ିକି ନିଲାଜ ପୁଣି !
ଫୁଲେ ଫୁଲେ ରସି ବୁଲେ
ବଜାଇ ସେ ବିଜୟର ଶଙ୍ଖ ।
ଯେ ଘଡ଼ିକ-ଯା’ ଦୁଆରେ,
ସେ ଘଡ଼ିକ ତା’ର ।
ଛି, ଛି, କାହା ଛାତି ସହିବ କହିଲୁ-
ଆପଣା ପୁରୁଷେ ଦେଖି ପରଘରେ ଠିଆ ?
ଅଶୋକ- ସଜନୀ ଲୋ !
ସଭିଏଁ ତ ଏକା ନାବ-ଯାତ୍ରୀ ।
କାହାଠାରୁ କାହା ଦୁଃଖ ନୁହଇ ତ ଊଣା ।
ପାଞ୍ଚିବାକୁ ହେବ ଏବେ
ପୁରୁଷର ଚରିତ୍ର-ସଂହାର ବାଟ ।
ନିଆଳୀ- ସେଥିଲାଗି ପରା !
ତୋ ପାଖକୁ ଆସିଛୁ ସଭିଏଁ ।
ଅଶୋକ ଲୋ !
ସଭିଙ୍କି ତୁ ଅଶୋକ କରିବୁ ।
ଅଶୋକ- ଦିଶୁଛି ଗୋଟିଏ ରାହା,
ଭାଳି ଦେଖ, ମନକୁ ପାଇବ ଯେବେ,
କରିବା ସେ କଥା ।
ବଉଳ- କହୁନାଉଁ,
ତୁ’ତ ନୁହେଁ ଅବିଚାରୀ,-
ତୋ କଥା କି ଅନ୍ୟଥା ହୋଇବ ?
ଆମ ତୁଲେ ତୁ ଜଣେ ତ
ସମାନ ଦୁଃଖିନୀ ।
ଆମ ଭାଗ୍ୟ ସଙ୍ଗେ ପରା ଗୁନ୍ଥା ତୋ କପାଳ ।
ଅଶୋକ- ଭଲା, ବିଚାର ତ ମନେ,
କେତେକାଳ, କେତେ ଶ୍ରମେ
ତରୁର ସରାଗ-ସଜା-
ନବଦଳ-ତଳପକୁ
ଅକାଳେ ତିଆଗି,
ଦେବତା ପୂଜାରେ
କରି ଆତ୍ମ ନିବେଦନ,
ଜଣେ ହେଲେ; କେହି କେବେ
ଆମ ତ୍ୟାଗ,- ଆମ ଦୁଃଖ
ଭାଳିଲା କି ମନେ ?
କାହାକୁ କହିବୁ ଊଣା ?
ବରଜର ନଟବର !-
ବନମାଳୀ ନାମ ତା’ର ଆମ ଲାଗି ସିନା !
ସେ ତ ଜଣେ ଶ୍ରେଷ୍ଠ ନାରୀମରା !
ନିଆଳୀ- ଥାଉ, ଥାଉ,
ଧରନା ତା ନାମ ସଖି !
ଅଲକ୍ଷରେ, ଶୁଣୁଥିବ
ଆମ ଆଲୋଚନା ଯେବେ,
ଲୁଚି ଲୁଚି ଫୁଙ୍କିବ ସେ
ମୋହନ ବଇଁଶୀ ।
ଏ ଦଶାରୁ ସେ ଦଶା ବଳିବ ।
ଚୋରପଣେ ତାକୁ ବଳି,
ତ୍ରିଭୁବନେ କିଏ ଅଛି ଆଉ ?
କହନା ତା କଥା ସହି !
ଇନ୍ଦ୍ରୀବର- ଶୁଣିବ ତା ଗୁଣ ?
ଶୁଣ, ମୁଁ କହୁଛି ।
ନୟନେ ଖଞ୍ଜିଛି ପରା
ମୋ’ଠାରୁ ସୁଷମା କରି ଚୋରି ?
ପୁଣି ସଖୀ ଅରବିନ୍ଦଠାରୁ
ଲୁଟି ସେ ନେଇଛି ଗନ୍ଧ !
ଥାଉ ଆଉ କଥା,
ଗନ୍ଧ ଲୁଟିକରିସାରି,
ସେତିକିରେ ମନ ନ ମାନିଲା ।
ପାଦତଳେ,
ରଖିଛି ପଦ୍ମରେ ।
କର ଅଙ୍ଗୁଳିରେ ତାର
ଅଶୋକ କଳିକା ସାଜି,
କିବା ଦିନ, କିବା ରାତି
ନ କରେ ସେ କରଛଡ଼ା ତାକୁ ।
ତୋଳି ବଉଳରେ,
ରଚିଛି ଟାହିଆ ।
ଆଉ ନବମାଳିକାରେ
ହଟକରି ଅପେ, କରେ
ବୃନ୍ତରୁ ବିଚ୍ୟୁତ ।
ଅଣ୍ଟ ନିଅଣ୍ଟିକୁ ପୁଣି,
ସାଙ୍ଗ ସାଥୀଙ୍କି ଭେଳାଇ,
ସଖୀ ନିଆଳୀରେ
କରି ମାଆକୋଳଛଡ଼ା,
ସଜାଏ ଗୌରବେ ଗଭା ।
ପୁଣି ତାକୁ;-
ବିଛାଇ ମିଳନ ଶେଜେ,
ସାରା ଚାନ୍ଦ ରାତି,
ଦଳେ ମିଳନ ଉତ୍ସବେ ।
ଅଶୋକ- ଆଲୋ !
ସେତିକି ନୁହେଁ ମ !
ସବୁ ଫୁଲ କୁମାରୀଙ୍କୁ
ବୃନ୍ତଛଡ଼ା କରି,
ହାର ଗୁନ୍ଥି,
କଣ୍ଠେ ଘେନି ବୋଲାଏ ନାଗର !
ଅରବିନ୍ଦ- ଛିଃ, ଛିଃ,
ନିର୍ଲ୍ଲଜ ପୁରୁଷ ।
କାହିଁକି ଆଉ ତା କଥା ?
ଅସଲ ଧିଟୁଆ ସେ ଯେ-
ଚୋର ସରଦାର ।
ଆକାଶ ଶୋଭା ନୀଳିମା,
ବରହୀ ଚନ୍ଦ୍ରିକା;-
ସରସ ସୁନ୍ଦର ବୋଲି
ଜଗତରେ ଖ୍ୟାତ ଯା’ର ଅଛି,
କାହାର ସେ ଲୁଟି ନାହିଁ ଶିରୀ ?
କାହାକୁ ରଖିଛି ବାକି ?
ଥାଉ ଆଉ କଥା-
ସରଳା ଗୋପବାଳାର-
ମନ ପରା ଚୋରାଇଛି ଧିଟ !
ନିଜ ଦୁଃଖ ଚିନ୍ତା କର,
ଧରନା ସେ ନାମ ।
ବଉଳ- ଆଉ ସେ ଜଣକ,-
ସେଇ ମ
ସେଇ ଭୋଳାନାଥ ଶମ୍ଭୁ-
ମଶାଣି ଠାକୁର ।
ବଖାଣୁଛି ତାଙ୍କ ଗୁଣ
ଶୁଣ ମୋହଠାରୁ ।
ଆମରି କୁଳେ ଜନମ
ଗୟସ, ଧୂତୁରା ଫୁଲେ
ସରାଗ ତାଙ୍କର ଅତି ।
ତେଣୁ,
ସ୍ୱାର୍ଥଅନ୍ଧ-
ହୃଦୟ-ବିହୀନ ଅବିବେକୀ ଜନେ,
ନ ବିଚାରି କୁସୁମର କାଳାକାଳ ଲବେ,
ବୃନ୍ଦ କୋଳୁ ବଳେ କରି ଭିନ୍ନ,
ଭେଟନ୍ତି ଭୂତପତିରେ ।
ତୃପ୍ତ ଆଶୁତୋଷ, ତହୁଁ,
ବାଞ୍ଛା ଫଳ ଦିଅନ୍ତି ଅଜାଡ଼ି,
ଯେତେ ତୋଷାମଦକାରୀ-ଶିରେ ।
ଭଲା, କହିବଟି ତୁମେମାନେ;
କେବେ ହେଲେ,
ବିଚାରନ୍ତି କେହି
ଦେବ କି ମାନବ ?-
ଆମ ଜୀବନର ମୂଲ କେତେ ?
ହଉ, ହେଲା-
ଛାଡ଼ିଦିଅ ମାନବର କଥା
ଶିବ ପରା ଦେବତା ପ୍ରଧାନ ?
ନୁହେ କି ଏ
ପକ୍ଷପାତ ରୀତି ତାହାଙ୍କର ?
ଅରବିନ୍ଦ- ଧର ନା ସେ ନାମ ।
ସେ ଜଣକ ନୁହନ୍ତି କାହାରି ।
ନାଗର-ନାଗର ସେ ତ
ଗରଳ ରସିକ ଖାଲି ।
ଶ୍ମଶାନର
ଭୂତପ୍ରେତ ସଙ୍ଗୀ ।
ଭସ୍ମବୋଳା, ଦିଗମ୍ବର-
ଅତି ଅଲାଜୁକ ।
ଥେଇ ଥେଇ ନାଚନ୍ତି ତାଣ୍ଡବ
ଶମଶାନେ ।
କିଏ ଗଲା-କିଏ ମଲା,
ନଥାଏ ଶୋଚନା ଭୋଳାମନେ ।
ଅରସିକ ଠାକୁର ସେ,-
ନିପଟ ମନୁଆ ।
ଅଶୋକ- ବିଚାରି ମୁଁ କହେଁ ସେଥିଲାଗି,
ଏବେ ମୋ ବୁଦ୍ଧିଟି କର ।
ପୁରୁଷ ବୁଝିବ କାହୁଁ ନାରୀର ବେଦନା ?
ଟିକଲ କରିବା କଥା ଜାଣଇ ସେ ଭଲ ।
ଆମକୁ ସର୍ବସ୍ୱ କରି ବସନ୍ତ ଦିନରେ,
ସତେ ଅବା
କେତେ ଅନୁଗତ ଜନ ସରି,
ଚାଟୁକାରପଣେ ପଟୁ ପୁରୁଷ ଜାତିଟା ।
ନିଜ ସୁଖ ସଂପାଦି ଜାଣଇ ଭଲ,-
ଖେଳାଇ ଗୋଲକଧନ୍ଦା ଜୀବନେ ଆମର ।
ଫନ୍ଦା ତାର ନାରୀମରା ରୀତି ।
ଚାଲ, ସବୁ ମିଶି ଯିବା ରତିଦେବୀ ପାଶେ ।
ସେହି ଏକା ନାରୀକୁଳଟୀକା ।
ଅନୁମାନେ ମୁହିଁ,
ସେହି ଅବା-
ବୁଝିଲେ ବୁଝିବେ
ଆମ ଜୀବନର ଦୁଃଖ ।
ସମସ୍ତେ- ଭଲ କଥା, ଭଲ କଥା ।
ନିଆଳୀ- ପ୍ରଭାତେ ଦେଖିଛି ତାଙ୍କୁ,
ମଳୟ-ନିକୁଞ୍ଜେ,
ବେହରଣ ମଣ୍ଡପରେ
ସହଚରୀ ତୁଲେ ।
ଉଛୁର ନ କରି ଯିବା ଚାଲ ।
ଇନ୍ଦୀବର- ଉଠ ! ନିଆଳୀ ଲୋ !
ଆଗେ ଆଗେ ପଥ ତୁ ମଣିଆଁ ।
ନିଆଳୀ- ଆସ !
ଶୁଭ କାର୍ଯ୍ୟେ ବିଳମ୍ବ କାହିଁକି ଆଉ ?
ଜଣାଇବା ସବୁ ଦୁଃଖ
ପ୍ରଣମି ତାଙ୍କରି ପଦେ ।
ଅରବିନ୍ଦ- ଅବସର ବୁଝି,
ଦେବୀଙ୍କ ଛାମୁରେ ଯାଇ
ଜଣା କରିବାର ଦୁଃଖ
ମଣୁଛି ଉଚିତ ।
ନୀଳୋତ୍ପଳ- ଥିଲେ ପରା
ବେହରଣ ମଣ୍ଡପରେ ଦେବୀ ?
ବିଚାରେ ମୁଁ ଏହି ଏକା
ଉପଯୁକ୍ତ ବେଳା ।
ଉଠ, ମଠ କାହିଁ ପାଇଁ ଆଉ ?
[ବସନ୍ତର କୁସୁମସମ୍ଭାରବିଭୂଷିତା ରତିଦେବୀ । ମଧୁ-ସନ୍ଧ୍ୟା । ପୂର୍ଣ୍ଣଚନ୍ଦ୍ର କିରଣରେ ଚତୁର୍ଦ୍ଦିଗ ସ୍ୱପ୍ନଘେରା । ପ୍ରିୟମିଳନ ମନାସି ଝରଣାଟି, ତା’ର ମନ ବେଦନା କୁଳୁକୁଳୁ ଭାଷାରେ ନିବେଦନ କରୁଛି ସତେ ! ରତିଦେବ ପ୍ରସନ୍ନବଦନା ! ନିକଟରେ ତାଙ୍କର ବୀଣାଧାରିଣୀ ସୋହିନୀ, ବାହାର, ପଞ୍ଚମ ଓ କାମବର୍ଦ୍ଧିନୀ ଇତ୍ୟାଦି ରାଗପତ୍ନୀଗଣ ସୁବେଶ ସଜ୍ଜିତା ହୋଇ ନିଜନିଜର ରୂପ, ରସ, ରଂଗ ପ୍ରକାଶ କରୁଛନ୍ତି ସ୍ୱରତାଳଲୟରେ । ଏତିକିବେଳେ ଉପସ୍ଥିତା ହେଲେ ସେଠାରେ ପଞ୍ଚପୁଷ୍ପ ।]
ରତି- ରହିବଟି, ରହିବଟି !
କିଏ ସବୁ ଆସିଛନ୍ତି
ଦେଖିଲ ଦୁଆରେ ।
ଅରବିନ୍ଦ- ପ୍ରଣତି ଚରଣେ
ଦେବି ମଦନମୋହିଣୀ !
ରତି- କିଏ, ଅରବିନ୍ଦ ?
ଚୂତ- ଚରଣେ ପ୍ରଣାମ ମୋର ।
ରତି- ଇଏ କିଏ ? ବଉଳ ତ !
ଅଶୋକ- ପାଦତଳେ ପ୍ରଣତି ଘେନନ୍ତୁ ।
ରତି- ମ, ଅଶୋକ ! ଆସିଛ ?
ନିଆଳୀ- ଅଭାଗିନୀ ପ୍ରଣାମ ଜଣାଏଁ ।
ରତି- ସୁବାସିନୀ ନିଆଳୀ, କୁଆଡ଼େ ?
ଇନ୍ଦୀବର- ପ୍ରଣତି ମୋ ଘେନା ହେଉ ଦେବି !
ରତି- ଆରେ, ନୀଳୋତ୍ପଳ !
କୁଆଡ଼େ ମ ସବୁ ଆଜି ?
ବସ, ବସ ।
ଶୁଭଦିନ ଆଜି ମୋର ।
ସାଥି ହୋଇ କୁଆଡ଼େ ଆସିଲ ?
କହିବଟି ଆଗ ।
ଅରବିନ୍ଦ- ସବୁ ଅଭାଗିନୀ ମିଶି
ଆସିଅଛୁଁ ଦେବି ! ତବ ପାଶେ ।
ଅବସର ଥିଲେ, ଆଦେଶିଲେ
ବଖାଣିବୁଁ ଜୀବନର କରୁଣ କାହାଣୀ ।
ରତି- କରୁଣ କାହାଣୀ !
ତାଟକା ଲାଗଇ ମତେ ।
ଅରବିନ୍ଦ !
ନିଜେ ନାରାୟଣ ପରା
ତୋ ପରଶ ଲୋଭୀ ?
କର, ଚରଣ, ଶ୍ରୀମୁଖ-
ନୟନ ସହିତେ,
ସବୁରି ତୁଲେ ପରା ତୋ
ମିଳନ ଅତୁଟ ?
ଗୁଣବତୀ, ରୂପବତୀ ତୁହି
ବିଧାତା ସୃଷ୍ଟିରେ ।
କି ଦୁଃଖ ଲୋ, ତୋର ସତେ ସଖି !
ଅରବିନ୍ଦ- (ଦୀର୍ଘଶ୍ୱାସ ସହ) ନ ଜାଣ କି ଦେବି !
ଦୀପତଳ ଅନ୍ଧାରର ଘର ।
ଏକ ମୁଁ ନୁହେଁ ତ !
ସମଦୁଃଖିନୀ ଯେତେକ,
ସଭିଏଁ ଆସିଛୁଁ ପାଶେ ତବ ।
ନାରୀଶିରଝରା ଯେଣୁ, ତୁମେ
ମଦନମୋହିନୀ ରତିଦେବୀ,
ନାରୀଦୁଃଖ ଏକା ସିନା
ସମୁଝିବ ନାରୀ ।
ବଉଳ- ଏତିକି ଏ ମନର ଭରସା !
ନ ଶୁଣିଲେ ଗୁହାରି ଆମର,
ଗଲୁଁ ତିନିକୁଳୁ ଭାସି ।
ରୂପେ, ଗୁଣେ, ଗନ୍ଧେ ମୋତେ
ସାର କରି ସରଜିଛି ଧାତା ।
ଜଜନୀ ମୁଁ
ଦେବକାମ୍ୟ ରସାଳର, ସତ୍ୟ ।
କିନ୍ତୁ, ଜୀବନ ଯୌବନ ମୋର
ବିଅର୍ଥ କେବଳ ।
ପୋଡ଼ା ମୋ କରମ ।
ନୋହିଲେ ଗୋ ଦେବି,
ସମୟ ଶକତି ଥିଲେ-
ତିଳେ ତିଳେ,
କରିଥାନ୍ତି ଅଧିକାର ମୁହିଁ
କୋକିଳର ହୃଦ ।
କୁହୁସ୍ୱର ତୁଲେ ତା’ର
ମିଶାଇ ମୋ ଜୀବନର ମଧୁ,
କରିଥାନ୍ତି ଧରାଜନ-ଅନ୍ତର ମହୁଆ,-
ନିରନ୍ତର ପୀରତି-ମଙ୍ଗଳ ରସେ ।
କିନ୍ତୁ, ରସାଇ ରସରେ ମୋତେ
ଭୁଲାଇ ସରଳ ମନ,
ଦଗାଦିଆ ପଣେ,
ନୋହିଲା ସେ ମୋର ।
ବାରଦୁଆରୀ ସେ-
ବିରହେ ସନ୍ତାଇ ମୋରେ,
ହୁଏ ଦେଶାନ୍ତରୀ ।
ପୋଡ଼ିଯାଏ ମୁଖ ମୋର ।
ଭଗାରି ମଳୟ ଥାଇ
ହସେ ଖିଲିଖିଲି ।
ଲାଜେ ମୁଁ ନୁଆଁଏ ମଥା ।
କାନ୍ଦି କାନ୍ଦି ମଥା କୋଡ଼େଁ
ରସାଳର ପଦେ ।
ଅରବିନ୍ଦ- ଦୁଃଖ ମୋର କି କହିବି ଦେବି !
ଆଦରେ ଭୁଲାଇ ରାତିସାରା,
ଥରେ ଥରେ କରି ପ୍ରେମେ ବନ୍ଦି,
ରଖେଁ ଶଠ ମଧୁଲିଟେ,
କୋଳରେ ମୋହରି ।
ଜାଣିଛ ତ ଶୃଙ୍ଗ ପରମାଦ ।
ଜାକି ରଖେଁ ଉଲଟ-ବନ୍ଧରେ ।
ଫେଇବାକୁ ନ ପାଏ ସେ ରାହା ।
ଯେତେ କଲେ ଅଳି ଅଳି,
ପ୍ରେମର ନିଗଡ଼େ ବାନ୍ଧି,
ଗର୍ବ ତାର ଦିଏଁ କରି ଖର୍ବ ।
ଗୁଣୁ ଗୀତ ଗାଇବାକୁ
ନ ଦିଏଁ ସୁଯୋଗ ।
ପରଭାତେ କିନ୍ତୁ,
ଯେବେ ଜଗାଏ ଜଗତ
ଡାକି କଜଳପାତିଆ,
ପୂର୍ବାଶାରେ ବିଳସେ ସବିତା,
ନିରାଜନା ଆଶେ
ଜଳ, ଥଳ, ବନ, ଗିରି,
ସାରାବିଶ୍ୱ ହୁଅଇ ଚଞ୍ଚଳ,-
ବିମଳ ପୁଲକେ;
ଛାଏଁ ଛାଏଁ ତେବେ
ଅଜାଣତେ, ଦରହସ
ଫୁଟେ ମୋ ଅଧରେ ପୁଟେ ।
ସେଇ ଅବସରେ,-
ସେଇ ଅଧ ଅଧହସା ବେଳେ ମୋର,
ସଜ ଦେଖି,
ଉଡ଼ିଯାଏ ସେ ଲମ୍ପଟ
ଉଜାଡ଼ି ମୋ ଯୌବନ ସଂପଦ,
ଶୂନ୍ୟ କରି ଅଙ୍କ ।
ନିତି ନିତି ଏହିପରି
କାନ୍ଦି ମରେଁ ଦେବି,
ଝରାଇ ଶିଶିର ନୀର, ଦୁଃଖେ ।
ଦିନକର, କୃପାବହି ତହୁଁ
ପ୍ରବୋଧନ୍ତି ମୋତେ,
ପ୍ରହରେ ଅବଧି ।
ପୋଛି ସେ ଦିଅନ୍ତି
ନୀର ବିନ୍ଦୁ ମୋ ନୟନୁ ।
କେତେ ସତେ ଏହି ମତେ
ସହିବି ଯାତନା ନିତିନିତି ?
କି କପଟୀ ପୁରୁଷ ଜାତିଟା !
କି ନିଷ୍ଠୁର ହୃଦୟ ତାଙ୍କର !
ଇନ୍ଦୀବର- ହୀନକପାଳୀ ମୁଁ ଦେବି !
ସବୁଠାରୁ ମୋ ଦଶା ନିଆରା ।
ଯୌବନ ପସରା ବାଢ଼ି
ବ୍ୟର୍ଥ ନିଶି ପାହେ ମୋର ଦୁଃଖେ ।
ଥରି ଉଠେ ମାତୃ ଅଙ୍କ ମୋର ।
ସେ ବେଦନା- ସେ ଯାତନା-
ଏକା ଅନୁଭବି ବାରିପାରେ ସିନା !
ଅସ୍ତଗିରି ଅଙ୍କେ ଯେବେ,
ଘୁମାଏଁ ସବିତା-
ଡଗରା ଖରୁଆ ତାରା,
ରଟେ ଆସି ପ୍ରିୟ ଆଗମନୀ,
ଅଭିସାର ବେଶ ସାଜେଁ ନିତି ।
ଅନାଇ ନାଗର ପଥ,
ପଥ ଟାକି ବସେଁ ।
ଆଖିକୋଣ ତିନ୍ତିଯାଏ ନୀରେ ।
ସାକ୍ଷୀ ତାର
ସଂଜୁଆ ସମୀର ।
ହଟକରି ଘଡ଼ିମାରି ଆସନ୍ତି
ନାଗର ଖଣ୍ଟ,
ରସି କାହିଁ
କେଉଁ ନାଗରୀର ସଙ୍ଗେ, ରଙ୍ଗେ ।
ଦିନେ ନୁହେଁ-ଅଧେ ନୁହେଁ,
ନିତି ଏଇ ଦଶା ।
ଯେବେ ଅବା ସଉଭାଗ୍ୟେ ମୋର
ହେଲା ତାଙ୍କ ଆଗମ ସହଳ କେବେ,
ଘଡ଼ିଜଗି, ନିଶି ଥାଉଁ,
ପଳାଇବେ ହୋଇ ତରତର ।
ହେଲା ଅବା,
ଦୁଃଖେ କଷ୍ଟେ ସହିଲି ସେ ବ୍ୟଥା ।
ଯେତେ କଲେ କାକୁତି ମିନତି
ମାସଅନ୍ତେ ଦିନେ ପୁଣି ନିରାଟରେ
ଦେବେ ମୁହଁଛପା ।
ଦେବି !
ଜଳିଯାଏ ବିରହିଣୀ ହିଆ ।
ନୁହେ ତ ଏ ବନ-ପୋଡ଼ି ।
ମନ-ପୋଡ଼ି କିଏସେ ଜାଣିବ ?
କେତେ ଆଉ ବଖାଣିବି
ବିରହ-ଯାତନା ?
ଅଶୋକ- ମୋ ଶୋକର ଅନ୍ତ ନାହିଁ ସତେ ।
ଛଳ କରି ଭଣ୍ଡିବାକୁ ମୋତେ,
ମିଛକୁ ମୋ ନାମ ସିନା,
ଦେଇଅଛି ବିଧାତା ଅଶୋକ;
ଶୋକେ କିନ୍ତୁ
ନିତି ଜରଜର ମୋ’ର
ଉଛୁଳା ଯୌବନ ।
ଚାହିଁ ଚାହିଁ, ଆଖିପାଣି
ମରେ ଆଖି କୋଣେ ।
ଅତି ଶଠ ମୋ ନାଗର ।
ଘଡ଼ିଏ ପଲକେ
ଦେଖା ହେବ କି ନୋହିବ,
ମନେ ପଡ଼ିଯିବ ପୁଣି
ନବୀନା ପ୍ରେୟସୀ କେହି ।
ଅଂଗସାରା ଟୋପି ଟୋପି
କଳଙ୍କର ଚିହ୍ନ,
କିଏ ବା ନଦେଖେ ତାହା ?
ତେବେ ହେଲେ, ମୁଖେ ନାହିଁ ଲଜ୍ଜା ।
ଡାକୁ ଡାକୁ, କହୁ କହୁ-
କେତେ ମୁଁ ବିନୟେ,
ଶୁଣି ନ ଶୁଣିଲା ପରି,
କାହିଁ ଯିବେ ଉଡ଼ି ।
ଆଖି ପିଛୁଳାକେ
ଦିଗ ଶୂନ୍ୟ ।
ଆଶାରେ ଆଶାରେ ଧରି ଜୀବ
ମଉଳି ମୁଁ ପଡ଼େ ତରୁମୂଳେ ।
ନିଆଳୀ- ମୋ ଗୁହାରି ଶୁଣିବ କି ଦେବି !
ରୂପ, ଗନ୍ଧ, ଗଉରବେ
ଭାଗ୍ୟବତୀ ବୋଲି ମୁହିଁ
ଜନମୁଖ ରଟେ ।
ହେଲେ, ଅନ୍ତର ଭିତର ମୋର,
ଦେଖଇ କି କେହି ?
ନିଜ ସ୍ୱାର୍ଥ ସିଦ୍ଧି ଲାଗି-
କେତେ ଚାଟୁ ନ ଭଣନ୍ତି ଜନେ !
ବାହାର ଆଖିକି ସିନା,
ଦିଶୁଛି ସୁନ୍ଦର,-
ହେଲେ,
ମୋ ଜୀବନ ଗ୍ରନ୍ଥପାଠ ଖାଲି କି ସେତିକି ?
ଅନ୍ତରେ ଯେ କୁହୁଳା ପଡ଼ିଛି ଏଣେ,
ସେ କଥା ଜାଣୁଛି କିଏ ?
ବୁଝୁଛି ମୁଁ ଏବେ
ରୁପ, ରସ, ଗନ୍ଧ, ମୋର;-
ଦେବତାର ଆଶୀର୍ବାଦ
ବୋଲନ୍ତି ଯାହାକୁ ଚାଟୂକାରେ,-
ସେଇ ମୋର କାଳ ।
ନାଗର ମୋ ଦୁରନ୍ତ ବଇରି ।
ପାଶେ ଆସି, ରସି,
ଆଖି ପିଛୁଳାକେ ଯାଏ ଚାଲି ।
ଖାଲି ଚାଲି ଗଲେ,
ବାଧନ୍ତା ନାହିଁ ଗୋ ଏତେ ମୋତେ ।
ପଲକରେ ପୁଣି
ମୋ ସୁବାସ ହରି,
ଭେଟି ଦେଇ ଜଗତ ଜନରେ,-
ଜାତି, ଧର୍ମ, ବର୍ଣ୍ଣ ନିର୍ବିଚାରେ,
ବଡ଼ ବୋଲି ଦେଖାଏ ସେ ଟେକ ।
ପୁଣି ଏଡ଼ିକି କୃତଘ୍ନ
ଏ ଜଗତ !
ଦିନେ ହେଲେ ଭରମରେ
ନବିଚାରେ କେହି-
କାହାର ଏ ସୁଗନ୍ଧ-ସଂପଦ ।
କି ମନେ କେ’ ଦେଇଛି ବା ଢାଳି ।
ପକ୍ଷାନ୍ତରେ-
ବାହାଦୁରୀ ନିଏ ମୋର
କପଟୀଆ ଲମ୍ପଟ ନାଗର
ଲୁଟି ମୋ ସର୍ବସ୍ୱ ।
ଅଖୋଜା, ଅଲୋଡ଼ା ରହେ ମୁହିଁ ।
ତେଣୁ;
ଏକେ ତ ନାଗର ମୋର ଧୂର୍ତ୍ତ;
ଅନ୍ଧ ବୋଲି କହେଁ ଦୁଜେ
ଜଗତ ଜନରେ ।
କେହି ହେଲେ ଦିନେ ଆସି,
ଅକାଳେ ସକାଳେ-
ପ୍ରଶଂସା ପଦିଏ ସୁଦ୍ଧା ନ ଶୁଣାନ୍ତି କାନେ ।
ଏଡ଼େ ସ୍ୱାର୍ଥପର ଏ ସଂସାର !
ଅରବିନ୍ଦ- ଶୁଣିଲେ ତ ସଭିଁଙ୍କର ଦୁଃଖ ?
ପ୍ରତିକାର ନ କଲେ ଗୋ ଦେବି,
ଏଇଠାରେ-ଏଇ ପାଆପଦ୍ମ ତଳେ,-
ପଞ୍ଚପୁଷ୍ପ ଦେବୁ ପ୍ରାଣବଳୀ ।
ଏ ହତ୍ୟା ପାତକ ନିଶ୍ଚେଁ
ବହିବ ଗୋ ମଦନମୋହିନୀ ।
ରତି- ଛି, ଛି, କି କଥା କହୁଛ ସବୁ ?
ଶୁଣି ସତେ-
ଦୁଃଖେ ମୋର ଫାଟିଯାଏ ବୁକୁ ।
କିନ୍ତୁ ଯେତେ କହ, ଯାହା ବୋଲ,
ଅବଳା ଯେ ମୁହିଁ,-
ତୁମ୍ଭରି ସମାନ ।
ଚାଲ ସର୍ବେ ମୋ ବଲ୍ଲଭ ପାଶେ ।
କାମଦେବ ଅତ୍ୟନ୍ତ କୃପାଳୁ ।
ତାଙ୍କୁ ସବୁ କହିବି ବୁଝାଇ ।
ନିଶ୍ଚୟ ସେ କରିବେ ବିହିତ ।
ଏ ଭରସା ଅଛି ମୋର ମନେ ।
ବଉଳ- ନାହିଁ, ନାହିଁ ।
ତାଙ୍କଠାରେ କାର୍ଯ୍ୟ ନାହିଁ କିଛି ।
କମଳିନୀ କହିଛନ୍ତି
ସବୁରି ମନର କଥା ।
କାମଦେବ !-
ସେ ମଧ୍ୟ ପୁରୁଷ ।
ଲମ୍ପଟ ଜାତିରୁ ସେ ତ ଜଣେ ।
ନୁଆଇଁବୁ ନାହିଁ ମଥା
ପୁରୁଷ ଚରଣେ ଆଉ ।
ରଖ, ମାର, ଯାହା ଇଚ୍ଛା,
ନିଜେ କର ଦେବି !
ନିରାଶ କରିବ ଯେବେ
ଏଇଠାରେ.......
ରତି- (ବାଧାଦେଇ) ଆହା, ଆହା !
ଏ କି କଥା କହ ?
ନାରୀ ଦୁଃଖ ସହିବି କେମନ୍ତେ ?
ନୁହଇ କି ନାରୀ ମୁହିଁ ?
ଶୁଣ ଗୋ ବଉଳ,
ଶୁଣ ଫୁଲବାଳାଗଣ ।
ମୁଁ ବିଚାରେଁ,-
ଚିହ୍ନିନାହିଁ ମଦନରେ ସତେ ତୁମେମାନେ ।
ସେ ଯେ ଚିର ନାରୀର ସହାୟ ।
ଶୁଣିଲେ ଏ ବେଦନା ତୁମ୍ଭର,
ଅବଶ୍ୟ ସେ
କରିବେ ବିହିତ ।
ହୁଅ ଗୋ, ନିଶ୍ଚିନ୍ତ ସର୍ବେ ।
ନିଆଳୀ- ସେ କଥା ପଛକୁ ଥାଉ ।
ପୁରୁଷ ଅନ୍ତର-ଦାହ-
ମନ୍ତର ମାତର,
ଜାଣିବାକୁ କାମନା ସବୁରି ।
ସେ ଉପାୟ,
ଦୟାବହି, ଦିଅ ଗୋ ବତାଇ ।
ମାଗୁଣି ଏତିକି ।
ଅଶୋକ- ଠିକେ ଠିକେ କହୁଛି ମୁଁ ପଦେ:-
ଯେ ବିଷେ ସେ ଜାତି ଦହେ
ଅବଳାର ହିଆ,
ସେହି ବିଷେ,- ସେହି ବିଷେ
କରି ଜରଜର,
କଷିବୁଁ ପୁରୁଷ ଧୈର୍ଯ୍ୟ,
ଗର୍ବ-ଗଉରବ ।
ଏତିକି ଶ୍ରୀପଦେ ଭିକ୍ଷା
ଜଗତ-ମୋହିନୀ !
ସାହା ହୁଅ ।
ମନ୍ତ୍ର ଦିଅ ।
ନାରୀକୁଳ ଦୁଃଖ ଯାଉ ଘୁଞ୍ଚି ।
କମଳିନୀ- ହଁ, ହଁ ସେହିକଥା ।
ସେତିକି ପ୍ରାର୍ଥନା ଦେବୀ !
ରୂପେ, ରସେ, ଗନ୍ଧେ ଭୁଲି
କିଣା କିଂକରରୁ ବଳି
ସେ ପୁରୁଷ ଜାତି;
ମନେ ମନେ ବିଚାରିବେ
ଦେଲୁଁ ବୋଲି ଧରା ଆମ୍ଭେ
ଜାଲରେ ତାଙ୍କର;
କିନ୍ତୁ-
କରଛଡ଼ା ଦେଉଥିବୁଁ ଛଳନା ଦେଖାଇ ।
ବିବେକ ବିଚାର ହାରି,
ଧାଇଁ ଆମ୍ଭ ପଛେ,
ହେବେ ପୁରୁଷ ପାଗଳ ।
ଦିଗହରା ପାନ୍ଥ ସରି ଭ୍ରମି
ବରିବେ ସେ ଅକାଳେ ମରଣ
ଝୁରି ଝୁରି;-
ଉଦ୍ବନ୍ଧନ; ବିଷପାନ ଆଦି
ନାନା ହୀନ ଉପାୟରେ ।
ସ୍ୱେଚ୍ଛାରେ ବିହାର କରି
ହସୁଥିବୁଁ ଦେଖି ଆମ୍ଭେ
ନିର୍ବୋଧ ପୁରୁଷ ଦଶା ।
ରତି- ଶୁଣିଲି ମୁଁ ସବୁ;-
ତୁମ୍ଭ ଦୁଃଖ, ତୁମ୍ଭ ମନ,
ତୁମ୍ଭ ଅନୁଯୋଗ,
ତୁମ୍ଭ ବାଞ୍ଛା ଯାହା ।
କିନ୍ତୁ,
ଜାଣିଛ ତ ବିଶ୍ୱ-ସୃଷ୍ଟି ଧାରା ।
ବିଶ୍ୱର ଆଧାର ନାରୀ ।
ଶକ୍ତିମୟୀ ନାମ ଧରେ;-
ଅତି ସତ୍ୟ ଏହା ।
ନର କିନ୍ତୁ ଇନ୍ଧନ ତାହାର ।
ଏ କଥା ସ୍ୱୀକାର୍ଯ୍ୟ ।
ତଥାପି ଗୋ କମଳିନୀ,
ଖର୍ବ କରିବାକୁ ହେବ ପୁରୁଷର ଗର୍ବ ।
ବିଚାରୁଛି ମନେ,
କଣ୍ଟକେ କଣ୍ଟକେ ରୀତି
ଉଚିତ୍ କେବଳ ।
ପାଞ୍ଚିଲିଣି ମନେ କଉଶଳ ।
ଚଳ ସର୍ବେ କାମଦେବ ପାଶେ
ଜଣାକର ତାଙ୍କରି ଛାମୁରେ,
ପ୍ରତିକାର ଲୋଡ଼ିବା ଏହାର ।
ଆସ, ଦେଖେଁ ଅଛନ୍ତି କି ନାହିଁ ।
ସମସ୍ତେ- ଜୟ ଜୟ ମଦନ-ମୋହିନୀ ।
ଯୁଗେ ଯୁଗେ
ଏ କିରତୀ ତବ
ଘୋଷୁ ବିଶ୍ୱସାରା ।
ଜୟ ରତି ଠାକୁରାଣୀ ।
ବସନ୍ତ- ସଖା ! ମନସିଜ !
ବଡ଼ ଆଶା ଥିଲା ମନେ,
ଏଥରକ ଅଭିଯାନେ ମୋର,
ଉଡ଼ାଇବି ଜୟ ବୈଜୟନ୍ତୀ-
ନଗରେ, ଭୂଧରେ, ବନେ, କାନ୍ତାରେ, ପ୍ରାନ୍ତରେ ।
କିନ୍ତୁ, ହେଲା ନାହିଁ ।
ବ୍ୟର୍ଥ ମୋ କଳ୍ପନା
କୋଇଲି, ଭ୍ରମର ଆଦି
ଯେ ଯହିଁ,- ଯେତେକ ଭକ୍ତ ମୋର,
କାହାରି ବଦନେ ନାହିଁ ସରସ ସୁହାସ ।
ବାରି ପାରୁନାହିଁ ହେତୁ କିସ ।
ଆଉ, କେଜାଣି କାହିଁକି ସତେ,
ମନେ ହୁଏ ମୋର ସଖା !
ତୁମେ ମଧ୍ୟ ବିରସ, ବିଷର୍ଣ୍ଣ ।
ଶକ୍ତିହୀନ ସତେ ପରା କାମଦେବ ଧନୁ !
ବିଚାରି ମୁଁ ପାରୁ ନାହିଁ କିଛି ।
ଚିନ୍ତିତ କାହିଁକି ରତିପତି ।
ମଦନ- ନୁହେଁ ସଖା !
ବୃଥା ଏ ସନ୍ଦେହ ତବ !
ଶକ୍ତିହୀନ ହେଲେ ମୁହିଁ,
ରସାତଳେ ଯିବ ସମଗରା ।
ବିରହର ବେଦନା-ବନ୍ଧନ
ହେଲେ ଲବେ ଶିଥିଳିତ,
ରହିବ କି କ୍ଷତି ଆଉ ?
ବୁଡ଼ିଯିବ ଅଥଳ ଗରଭେ ସିନା,
ବିଶ୍ୱବଧି ସୃଷ୍ଟିର ମହତ୍ତ୍ୱ ।
ଅନୁମାନ ନୁହେଁ ତବ ସତ୍ୟ ।
ଚିନ୍ତିତ ମୁଁ କିନ୍ତୁ ।
ଶୁଣ, କାରଣ ତାହାର
ଜାଣିଥିବ ତୁମ୍ଭେ ସଖା !
ଯୋଗମଗ୍ନ ଭୂତପତି କୈଳାସ କନ୍ଦରେ ।
ତେଣେ, ପର୍ବତତନୟା-
ଅନୁପମ ରୂପବତୀ ଗୌରୀ
ମନେ ମନେ ଶିବେ ବରି,
ଅଟଳ ପ୍ରତିଜ୍ଞା କରି
ବସିଛନ୍ତି କଠୋର ତପରେ ।
ଖୋଜି ପାଉନାହିଁ ବୁଦ୍ଧି ।
ଉଭୟ ସଂକଟ ଏବେ ।
ଏଣେ ମହାଯୋଗୀ ଶିବ,-
ତପୋରତା ଗିରିକନ୍ୟା ତେଣେ ।
ଆଦେଶିଲି, ଅନୁରୋଧ କଲି
ବାଛି ବାଛି ଅମୋଘ ଶାୟକେ ମୋର,
ତୀକ୍ଷ୍ଣମୁନେ, ହୃଦେ ଭେଦି,
ଭାଙ୍ଗିବାକୁ ହର ଗୁରୁଦମ୍ଭ ।
ଯୋଗେଶ୍ୱର ନାମ ଶୁଣି, କିନ୍ତୁ
ଏକେ ଏକେ ଉଠିଲେ ଚମକି ।
ସାହସ ନକଲେ କେହି
କରିବାକୁ ଜର୍ଜ୍ଜରିତ,
କାମବିଷେ ବିଷକଣ୍ଠ ଶିବେ ।
ଯେଣୁ, ଦହନ ପ୍ରଚେଷ୍ଟା ଆଗୁଁ,
ଦହନର ଡର ତାଙ୍କ ହର କୋପାନଳେ ।
ଭାବୁଥିଲି,
ଅଭିନବ ପନ୍ଥା ତେଣୁ,
ବସି ମନଦୁଃଖେ ।
ବସନ୍ତ- ଅନନ୍ତ ଯୌବନ ମୁହିଁ ।
ଯୁବା, ବୃଦ୍ଧ ନାହିଁ ଭେଦାଭେଦ ।
ତୁମେ କି ନ ଜାଣ ସଖା !
ବିଶ୍ୱନାଶୀ ଧନୁର୍ବିଦ୍ୟା
ନୁହେଁ ମୋ ଅର୍ଚ୍ଚିତ ।
ପରଶ ମୋ ସରସ ଶୀତଳ;-
ପୁଲକାଏ ସିନା ବିଶ୍ୱ-ତନୁ,
ଚମକାଏ କିନ୍ତୁ ଅନ୍ତଃସ୍ଥଳୀ ।
ଏ ଚମକ ଲାଗି ଏକା
ତୁମେ ମୋର କାମ୍ୟ କାମଦେବ !
ସରାଗେ ଯେବେ ମୁଁ ଆସେଁ,
ହିମ-ଶୁଷ୍କ-ଧୂଳି ଧରାପରେ,
ଖୋଜେ, ଆଗେ ସଖା !
ତୁମ ଧନୁ ଅନୁରୂପୀ,
କେଉଁ ଚତୁରୀ ଛଇଳା
ସଜାଡ଼ି ରଖିଛି ଚାରୁ ଭୁରୁବଲ୍ଲୀ ବେନି ।
କିଏ ନବତରଙ୍ଗିଣୀ,
ଜୀବନର ପ୍ରୀତି-ତପ ସାଧି,
ନରନାରୀ ନୟନର କୋଣେ,
ରସାଣର ଅନଙ୍ଗ-ଶାୟକ ।
ଆଗମରେ ମୋର ।
ବାଛି ନିଏଁ
କିଏ ଚାଟ-
କିଏ ଅବା ବସିଅଛି,
ଗୁରୁଘରେ ଖଡ଼ିମୁଣ୍ଡା ଘେନି ।
ଠାବ ଖୋଜି,
ଏକ ମଧୁ ଲଗନରେ-
ପାତେଁ ମୁଁ ଆସନ ମନେ ତା’ର ।
ତହୁଁ
ଏକ ସପନ ଲଗନ ବାରି,
ଅତି ସଂଗୋପନେ,
ଅତରକ ଅବସରେ ଯେବେ,
ଛୁଆଁ ଦେଇ ହିଆରେ ମୁଁ
ଚହଲାଏଁ ମତି;
ଚମକି ସେ
ଧରାକୁ ମଣଇଁ ସରା ।
ସାରାସର ବିବେଚନା ଯେତେ
ଅନ୍ଧକୂପେ ଦିଏ ଠେଲି ହେଳେ ।
ଆଖିର ପଲକେ,
ଆପଣା ହୁଅଇ ପର
ପର ହୁଏ ପ୍ରିୟ-ପ୍ରାଣପ୍ରିୟ ।
ବଦଳର ରଙ୍ଗ ।
ସରାଗରେ ତୋଳି ପ୍ରୀତି-ଘର,
ଜାତିଜାତି ବନକେ ରଙ୍ଗାଏ ।
ସନ୍ଦେହ ଦୁଆରୀ ଆସି
ଛାଏଁ ହୁଏ ସେ ଘର ଜଗୁଆ ।
ଆନମନା, ଉନମାନା ବାଳା,
ଉପେକ୍ଷି ସକଳ ଦେବେ,
ରଚି, ମନ କନକ ବେଦିକା
ନିଉଁଛାଳି ଏକା ତବ ପଦେ
ଭେଟେ ଯେବେ
ଭସାମନ ସୋହାଗ ସୁମନ,
ମୁରୁକିହସା ମୁଁ ମାରେଁ
ଆନନ୍ଦ ପୁଲକେ ।
ଏ ଆନନ୍ଦ ମୋର ସିନା
ତୁମ୍ଭ ଲାଗି ସଖା !
ତୁମ୍ଭରି ଭାବନା
ମୂର୍ତ୍ତି ଧରେ ମନେ ମୋର ।
ତୁମ୍ଭ ମୁଖୁଁ
ଏ ଚିନ୍ତା ଶବଦ ଆଜି
ଅନନ୍ତରେ ଜଳାଏ ମୋ ଚିତା
ତୁମ ବିନେ,
ଅଥର୍ବ ଯେ ମୁହିଁ ।
ବିଚାରଇଁ ପୁଣି ମନେ
ଏହାକି ସମ୍ଭବ ମନସିଜ !
ତୁମ୍ଭେ ହାରିଗଲେ ବନ୍ଧୁ !
ବିଶ୍ୱେ ଆଉ
‘ବଳୀ’ ବୋଲାଇବ କିଏ ?
(ପ୍ରବେଶ କଲେ ରତି)
ରତି- ମନେ ହୁଏ ଗୋପନ ମନ୍ତ୍ରଣା କିଛି
ଚାଲିଅଛି ବେନି ବନ୍ଧୁ ମଧ୍ୟେ ।
ଅସମୟ ପ୍ରବେଶରେ,
ବାଧା ତ ମୁଁ ଦେଲି ନାହିଁ ଆଉ ?
ବସନ୍ତ- ଆସ, ଦେବି !
ମଦନମୋହିନୀ !
ଘେନ ମୋ ପ୍ରଣତି ।
ନୁହେଁ ବାଧା-
ବରଂ ନିଭୃତ ମନ୍ତ୍ରଣାବେଳେ
ତବ ଉପସ୍ଥିତି
ମନେହୁଏ, ଶୁଭର ସୂଚନା ।
ମଦନ- ଆସ, ପ୍ରିୟେ !
ବେନି ବନ୍ଧୁ ସମଦଶାପନ୍ନ ଆଜି ।
ବିନ୍ଦୁମିତ ଆଶା-ଜଳ-
ତୃଷାର୍ତ୍ତର ଜୀବନ ଭରସା ।
ସେହି ମତି-
ତୁମ୍ଭ ପରାମର୍ଶ
ଦେଇପାରେ ଅବା ନବ ବଳ ।
ଆସ, ବସ ।
ରତି- ଆସିଥିଲି-ଏକା ନୁହେ;
ଗହଣରେ ଶରଣାର୍ଥ-
କୁସୁମ-କାମିନୀ ପାଞ୍ଚ ଜଣ, -
ଅନାଚାରୀ ବଲ୍ଲଭର
ନିପଟ କପଟ ଛଳେ,
ସରଳ ମାନସେ ପଥ ଭୁଲି
ଅହରହ ଭୋଗୁଛନ୍ତି
ବିରହର ବିଷମ ଦହନ ଦାହ ।
ଉପାୟ ବିଧାନ ଲାଗି
ଉପସ୍ଥିତ ହେଲେ ପାଶେ ମୋର ।
ସହି ନ ପାରିଲି ତାଙ୍କ
ବିକଳ କରୁଣ ଗାଥା ।
ଘେନି ମୁଁ ଆସିଛି ସଙ୍ଗେ ।
ଅପେକ୍ଷାରେ ଦ୍ୱାରଦେଶେ
ଅଛନ୍ତି ସମସ୍ତେ ।
କିପରି ବସିବି କହ
ନିଶ୍ଚିନ୍ତ ମାନସେ ?
ମଦନ- ବରହିଣୀ ପଞ୍ଚପୁଷ୍ପବାଳା !
ଅନୁଯୋଗ ତାହାଙ୍କର ?
ରତି- ହଁ, ଶୁଣିଛି ମୁଁ ସବୁ ।
ବାରିବିନ୍ଦୁ ଦେଖାଦେଲା
ନୟନର କୋଣେ,-
ଶୁଣି ବ୍ୟଥା ନିବେଦନ ।
ଏଡ଼ିକି କପଟ ପୁଣି
ପୁରୁଷ ଜାତିଟା ?
ଛଳରେ ଭଳାଇ,
ଭୁଲାଇ ଅବଳା ମତି,
ଦଗାଦିଆ ଅଭ୍ୟାସ ତାଙ୍କର ।
ବସନ୍ତ- କ୍ଷମାକର ଦେବୀ !
ତବ ଶ୍ରୀମୁଖରୁ ସତେ
ଏସନ କଟୁ ମନ୍ତବ୍ୟ !
ଦୁର୍ଭାଗ୍ୟ ବୋଲିବା ।
ଏ ବାକ୍ୟ ଯେ ବାଧୁଛି ବେନିଙ୍କୁ ।
ମଦନ- କାହାନ୍ତି ସେ ପଞ୍ଚପୁଷ୍ପବାଳା ?
କି ଦୋଷରେ ଦୋଷନ୍ତି ସେ
ପୁରୁଷ ଜାତିକି ?
ଚିନ୍ତିତ ମୁଁ ଥିଲେ ସୁଦ୍ଧା
ଶୁଣିବାକୁ ତାଙ୍କ ଦୁଃଖ,
ରଚିଲି ଉତ୍କର୍ଣ୍ଣ
ରତି- କହିଦିଏଁ ତେବେ,
ଆସନ୍ତୁ ସେମାନେ
ନିଜେ ଶୁଣି, କର ପ୍ରତିକାର ।
(ପ୍ରସ୍ଥାନ)
ବସନ୍ତ- ଜାଣି କି ପାରୁଛ ସଖା !
ଆଗମନ ହେତୁ ?
ମଦନ- (ଅଳ୍ପ ହସି) ସଖା !
ଏ ତ ମୋର ଶାସ୍ତ୍ରର ବିଧାନ ।
ଜାଣ ନ ବସନ୍ତ ।
ଜୀବନର ଗୋଧୂଳି ଲଗନେ-
ଯେବେ,
ଭସା ଭସା
ଶତ ଆଶା-ବାଦଲ ଅଞ୍ଚଳ ଚିରି,
ଅଧ ହସି ସ୍ୱପ୍ନଝରା ଶଶି,
କଉତୁକେ ମାଠିଦିଏ ରସି,
ଗେଲେ ଗେଲେ
ସୋହାଗିନୀ ଗଣ୍ଡେ ନବ ରଙ୍ଗ,
ଆଉ ତୁମେ, ବନ୍ଧୁ ମୋ’ର
ଚେତାଇ ନବବାଳାରେ
ଭଙ୍ଗାଅ ସୁନେଲୀ ଘୁମ;-
ଆଡ଼ ଆଡ଼ ପେଲାକରି,
ନୟନ କବାଟି ତା’ର;-
ମୁଖତୋଳି ଚାହିଁବାକୁ
ଚହଟ ଚିକ୍କଣ ଚାରୁ ଚପଳ ଚନ୍ଦ୍ରିକା ।
ପୁଣି, ତହିଁ ତୁଲେ ତବ-
ଅଭିନ୍ନ ହୃଦୟ-ସାଥୀ-
ଚତୁର ମଳୟ,
ଯୁକ୍ତ ଅବସର ବୁଝି,
ଅକୃତିମ ବନ୍ଧୁ ରୂପେ
ହୁଅନ୍ତି ସହାୟ ନବୀନାର ।
ସରସ ପରଶେ ତାଙ୍କ-
ହୃଦବନେ ତା’ର
ସରାଗେ ବିକଶି ଉଠେ
ତ୍ରିଭୁବନ ମନଭୁଲା
କନକ ଅମ୍ବୁଜ ଯୁଗ ।
କାନେ ଶୁଣେ ନିଶବଦ-
ଉପଦେଶ ମନ୍ତ୍ର,
ଅଦେଖା ଗୁରୁ କେ’ କହେ;-
‘‘ଏଇ ଏକା ଶୁଭ ଘଡ଼ି,
ଜୀବନର ସ୍ୱପ୍ନ ଯେବେ
ସତ୍ୟ କରିବାରେ ବାଞ୍ଛା,
ଉଛୁର କରନା ତିଳେ,
କର ଏବେ ମଦନବନ୍ଦନ ।’’
ଅବସର ବୁଝି ତହୁ,
ବିଦ୍ୟାରମ୍ଭ ଘଟାଏଁ ଜଗତେ,
ଅଚେତନେ ସଚେତ କରାଇ ।
ମନସିଜ ମୁହିଁ,
ମନର ରହସ୍ୟ ଘେନି
ଖେଳା ମୋର ଧର୍ମ ।
(ଅଦୂରରୁ ଭାସିଆସିଲା ମୃଦୁ ମଧୁର ନୁପୂର ନିକ୍ୱଣ । ବସନ୍ତ ସେ ଦିଗକୁ ଠାରି)
ବସନ୍ତ- ଉପସ୍ଥିତ ସୁଯୋଗରେ
ବିଳମ୍ବ ନ କରି-
ବିନିଯୋଗ କର ନିଜ ସ୍ୱାର୍ଥେ ।
ମଦନ- ତୁନି ହୁଅ, ଆସୁଛନ୍ତି ଏଣେ ।
(ରତି, ପଞ୍ଚପୁଷ୍ପ ପ୍ରବେଶ । ଜଣ ଜଣ କରି ପ୍ରଣାମ କଲେ)
ମଦନ- ଆସ ଆସ । (ରତି ପ୍ରତି)
ଦେବି ! ବସାଅ ଆସନେ ।
ଅରବିନ୍ଦ- କି ସୌଭାଗ୍ୟ ସତେ !
ଜଗତର ସୌନ୍ଦର୍ଯ୍ୟ-ପସରା-
ବସନ୍ତ ସହିତେ ରତିପତି !
ଶୁଭଯୋଗେ ପାହିଥିଲା ରାତି ।
ଜୟ ଜୟ ମଦନ ବସନ୍ତ !
ବସନ୍ତ- କିନ୍ତୁ,
ଏ କି ଅସମ୍ଭବ ଦେଖେଁ,
ଝାଉଁଳିଛି ସବୁରି ଶ୍ରୀମୁଖ !
ନାହିଁ ହାସ୍ୟ, ନାହିଁ ପ୍ରସନ୍ନତା !
ଟଳି ସତେ ଅବା ଯୌବନର ଝଳି,
ଏ ତ ନୁହେଁ ଅନଙ୍ଗ ମିଳନ ବିଧି ।
ନୀଳୋତ୍ପଳ- ହେ, ଦେବ ବସନ୍ତ !
ରୂପ ମାତ୍ର ସାର କରି,
ଦେଲେ ଆଶୀର୍ବାଦ;
ମନ କି ତା’ ଭୁଲେ ଛନ୍ଦା ?
ଅନ୍ତର୍ଦାହ ସାର ଯା’ର
ରୂପ ତାର ଅଭିଶାପ ସିନା !
ମଦନ- କି ଘଟିଛି କହ ଗୋ ରୂପସୀ ?
ନୟନର ଅଙ୍ଗସଙ୍ଗ ଯା’ର-
ନିଜେ ଲୋଡ଼ନ୍ତି କମଳା ।
କି ଦୁଃଖରେ ସତେ,
ସେ ବେନି ନୟନପ୍ରାନ୍ତ
ନୀରଭାରେ ପଡ଼ୁଛି ଲହସି ?
ନୀଳୋତ୍ପଳ- ବିଟ ପତି ମୋ କରମେ
ଛନ୍ଦି ଦେଇ ବିଧି,
ଦିଏ ନିତି-
ଜୀବନ୍ତ ମରଣ-ପୀଡ଼ା ।
କପଟ ପୁରୁଷ,
ଉଛୁର ସହଳ କଥା ଛାଡ଼,
ଦରଶନୁ ଦିନେ ଦିନେ ବଞ୍ଚିତା ମୁଁ ସୁଦ୍ଧା
ପଥ ଚାହିଁ ଫୁଲସଞ୍ଜବେଳୁ,
ପତି ଆସେ ଫେରିଦିଏଁ
ରମଣୀ-ସମ୍ବଳ ମୋର
ଲାଜର ଓଢ଼ଣୀ ।
ସାଜେଁ ଶେଜ ।
ବଦନେ ସଜାଡ଼ି ହାସ,
ମଧୁଗନ୍ଧ ଲେପେଁ ଅଙ୍ଗସାରା ।
କିନ୍ତୁ;
ସାର ଶେଷେ ନୟନ-ଶିଶିର ।
ଦୁରନ୍ତ ବିରହ,
କେତେ ସହିପାରେ କହ-
ଅବଳାର ହିଆ ?
ପ୍ରତିଶୋଧ-ପ୍ରତିଶୋଧ କାମନାରେ
ଲୋଡ଼ଇ ଶରଣ ।
ଅଶୋକ- ଅଶୋକ ମୋ ନାମ ମିଛେ ସିନା !
ଅପଗତ ଶୋକ ନୁହେ,-
ଅତିରେକ ଶୋକ ଲାଗି,
ଜନମ ଦେଇଛି ବିଧି ମୋରେ ।
ଅଭିଯୋଗ ମୋର, -
ସଖି ନିଳୋତ୍ପଳ ପରି
ପୁରୁଷ ବିରୁଦ୍ଧେ ।
ଅଭିଳାଷ ପୂର୍ଣ୍ଣକର ଦେବ !
ଚରଣେ ମିନତି ।
ନିଆଳୀ- ସୁଗନ୍ଧରେ ମୋର,
ସାରା ବିଶ୍ୱ-ଜୀବ,-
ଏମନ୍ତ କି
ସୁରଜନ ଅନ୍ତର ବିଭୋର ।
ସଉରଭ ଚୋରାଇ ମୋହର,
ଜାର ସେ ମଳୟ-
ମୋହେ ବିଶ୍ୱମନ ।
ଅଭାଗୀ ନିଆଳୀ ମୁହିଁ-
ବିତାଏଁ ଚାନ୍ଦିନୀ ରାତି
ବିରହ ବିଧୂରେ କିନ୍ତୁ ।
ମଦନ ବସନ୍ତ ଦୁହେଁ
ସଉଭାଗ୍ୟେ ଏକତ୍ରିତ ଆଜି ।
ରତିଦେବୀ ପାଶେ ବିଜେ ପୁଣି ।
ବିଚାର କରନ୍ତୁ ମନେ,
କେତେ ଦୁଃଖ ସହିପାରେଁ ଆଉ ?
ଅବହେଳା ସହିବାର
ସୀମା ପୁଣି ଅଛି ତ ଜଗତେ ?
ବିପ୍ଳବିଣୀ ମୁହିଁ ।
ଅଭିଯାନ ପୁରୁଷ ବିରୁଦ୍ଧେ ।
ଆଶୀର୍ବାଦ ଆସିଅଛି ମାଗି ।
ଉପାୟ ନ କଲେ,
ଆତ୍ମହତ୍ୟା ଚରମ ନିଷ୍ପତ୍ତି ମୋର ।
ବସନ୍ତ- ଛି, ଛି !
ମୁଖରେ ନ ଆଣ ଧନି,
ଅମଙ୍ଗଳ ବାଣୀ ।
ଧର ଧୌର୍ଯ୍ୟ ।
ବିହିତ ଏହାର
ସଖା ପାଞ୍ଚିବେ ଅବଶ୍ୟ ।
ବଉଳ- ବଉଳ ମୁଁ, -
ରସାଳ-ଜନନୀ ।
ବସନ୍ତର ପ୍ରିୟ ପୂଜାରିଣୀ-
ଚାମର ନିଯୋଗ ମୁହିଁ ।
ଧରାରେ ଜଣାଏଁ ଆଗେ,
ବସନ୍ତ ବିଜୟ ।
ବଣଏଣୀ ଆକୁଳ ମୋ ଗନ୍ଧେ-
ଗଣ-ବଣା କରାଏ ପଲକେ ।
ପଥର ପଥୁକୀ, -
ଗନ୍ଧ ଉନ୍ମାଦେ ମୋର,
ହୁଏ ଦଣ୍ଡେ ଶିଥିଳ ଚରଣ ।
ଚମକି ଅନାଏଁ ସେ ମୋ,
ଯଉବନ ଶିରୀ ।
ମନଗହନରେ ତା’ର,
ଅଲକ୍ଷରେ ପଶି,
କହେ ଅଶବଦ ବାଣୀ;-
କରିବାକୁ ସମାଦର
ବନ କୋଇଲିର ।
ଏହି କି ମୋ ସେବା ପରିଣତି ?
ପ୍ରିୟର ମିଳନ ଚାହିଁ,
ଭରା ଯଉବନ ମୋର
ବିଅର୍ଥେ ଲୋଟଇ ଧରାତଳେ ।
ସୁଗନ୍ଧ, ସୁବେଶ ଯାହା-
ସେ କି ଖାଲି ପଲକରେ,
ଜଳିଉଠେ, ଲିଭିଯିବା ପାଇଁ ?
ନାହିଁ ସାର୍ଥକତା ତା’ର ?
ନିତି ସହେଁ ପ୍ରବଞ୍ଚନା ।
ଶୁଣେ ନିତି କପଟ ଭାରତୀ ।
ଭାଗ୍ୟେ ମୋର ନିତି ଘଟେ
ସପନ-ମିଳନ ।
ତୁହାଇ ତୁହାଇ
ଆଉ କେତେ ବା ସହିବ କିଏ
ପୁରୁଷର କପଟ ବେଭାର ?
ରତି- ଶୁଣିଲ ତ ?
ନାରୀ-ନିର୍ଯ୍ୟାତନା
ଯେବେ କର୍ଣ୍ଣରସାୟନ ପୁରୁଷର,
ଚଳ-ବୋଧ ଦେଇ, ତେବେ
କର ହେ ବିଦାୟ ପଞ୍ଚପୁଷ୍ପେ ।
ନତୁ, ଯେବେ ବିଚାରରେ
ପ୍ରତିକାର ମଣୁଛ ବିହିତ,
ହେ ଦେବ ବସନ୍ତ !
ଯୋଗଦେଇ ତବ ସଖା -
କାମଦେବ ତୁଲେ,
ରଖ ରମଣୀର ମାନ ।
ଶୁଣି ଶୁଣି ଶତ ଅଭିଯୋଗ
ନିଶିଦିନ,
କେତେ ଆଉ ଧରେ କିଏ ଧୌର୍ଯ୍ୟ ?
ରମଣୀର ପ୍ରେମ ! -
ନୁହେଁ ଭସା ଆଖିଜଳ ଖାଲି ।
ଅବା ନୁହେଁ ସେ କେବଳ
ଛଳ ହସ ତଳି-ଛପା-
ବୁକୁଫଟା କୋହ ।
ଭଉଁରୀର ଖେଳା ଅଛି ମଧ୍ୟ
ସେଇ ଆଖିଜଳତଳେ ତା’ର ।
ଅଛି ଆଗ୍ନେୟ-ଗିରିପ୍ରକୋପ,
ଭୀମ ଭୂମିକମ୍ପ ।
ପ୍ରତିହିଂସା ବିଷର କଟାରୀ,
ପୁରୁଷର ଅଲକ୍ଷରେ
ଶୋଭେ ନାରୀ କରେ ।
ଶାସିବାକୁ ପୁରୁଷରେ
ଥରେ ମାତ୍ର ସାହା ହୁଅ
ଦେବ ମନସିଜ !
ମଦନ- ପ୍ରିୟେ !
ଶୁଣିଲି ମୁଁ ତବ ଅନୁଯୋଗ,
ଅତି ଅବହିତ ଚିତ୍ତେ ।
ଚଳନାମୟୀ ବୋଲି ଯା’
ପରମ୍ପରା ରଟନ ବିଶ୍ୱରେ,
କରେ ତାର ଥାପିବାକୁ
ପୁରୁଷ-ମର୍ଦ୍ଦନ ବାଣ,
ସହାୟ ହେବ ପୁରୁଷ-
ଏଇ ତବ ନିବେଦନ-ସାର !
କଳପି ନ ପାରେଁ କିନ୍ତୁ
ଜାତି ଶତ୍ରୁ ହେବି କି ଧରମେ ?
ପୁରୁଷ ମାରଣ ଲାଗି,
ପୁରୁଷ ନିକଟେ ଆସି
ନାରୀ କରେ ଅଳି !
କହ ପ୍ରିୟେ !
ଏ କି ତୁମ୍ଭ ବିଚାର-ବକ୍ତବ୍ୟ ?
ତୁମେ କହ, ହେ ସଖା ବସନ୍ତ !
ଶୋଭା କି ପାଉଛି ଏହା
ରତି ଦେବୀ ମୁଖେ ?
ବସନ୍ତ- ଶୋଭା, ଅଶୋଭାର ପ୍ରଶ୍ନ
କାହିଁ ବନ୍ଧୁବର !
ଏ ଯେ ଗୃହକଳି ।
ସରଳ କଥାରେ ଏ ତ
ପ୍ରଣୟୀ-ପ୍ରଣୟିନୀର,
ପ୍ରଣୟ-କଳହ ।
କ୍ଷମାକର ମୋତେ ସଖା !
ବନ୍ଧୁ ହେଲେ ସୁଦ୍ଧା,
ତୃତୀୟ ପୁରୁଷ ମୁହିଁ ।
ଦୂରେ ଥାଉ ସମାଧାନ ଚିନ୍ତା,
ବିଚାରର ଚେଷ୍ଟା ମଧ୍ୟ
ମୋହୋ ପକ୍ଷେ,
ନୁହେଁ ଯୁକ୍ତିଯୁକ୍ତ ।
ରତି- ଭ୍ରାନ୍ତ ଏ ଧାରଣା ଋତୁରାଜ !
ନୁହେଁ ପ୍ରଣୟ-କହଳ,
ଏହା ଏକ ସାମାଜିକ ପ୍ରଶ୍ନ ।
ବିଶ୍ୱରୀତି-ଅବିଚାର କଥା ।
କିଏ ଜାଣେ,- କପଟ କି ସାଧୁ,
ନିଃସ୍ୱାର୍ଥ ବା ସ୍ୱାର୍ଥପର ଭାବେ,
ହୋଇପାରେ ଅବା-
କେଉଁ ଦୁର୍ବଳ ମୁହୂର୍ତ୍ତେ,
ଋଷି କେଉଁ ରମଣୀରେ,-
‘ଛଳନାମୟୀ’ ବୋଲି ସେ
କେବେ ଥିବେ କହି;
ଏଥିପାଇଁ
ତାଙ୍କରି ମନ୍ତବ୍ୟ କି ହେ,
ଲାଗୁହେବ ସବୁରି ପାଇଁ କି ?
ରହିଲା ସେ ବେଦଗାର ହୋଇ ?
ହେଲା ତାହା ଚିରନ୍ତନ-ସତ୍ୟ,-
ସୂର୍ଯ୍ୟ ଚନ୍ଦ୍ର-ଦିବା ନିଶି ସରି ?
‘‘ମୁନିନାଞ୍ଚ ମତିଭ୍ରମ ।’’
ପାଶୋରି ବସୁଛ କିପାଁ
ଏ ମହତ ବାଣୀ ?
ଏବେ ତ ଶୁଣିଲ କର୍ଣ୍ଣେ
ଦୁଃଖିନୀ ଦୁର୍ଦ୍ଦଶା ।
ପୁରୁଷ-ରମଣୀ,
ଏକ ବିଧାତାର ସିନା
ବେନି ସୃଷ୍ଟି ଭେଦ ମାତ୍ର !
ଦକ୍ଷ-ବାମ
ଦୁଇ କର ରଚନା ତ ନୁହେଁ ଭିନ୍ନ ଭିନ୍ନ-
ଶରୀର ଗଠନେ ?
ନାହିଁ ତ କାହିଁ ପାର୍ଥକ୍ୟ ଜୀବନଗତିରେ ।
ମଦନ- ତଥାପି ଗୋ ଦେବୀ,
ପୁରୁଷ-ପୁରୁଷ, ନାରୀ-ନାରୀ ।
ଏ ବିଭେଦ ଯାଉଛି କି ଭୁଲି ?
ସ୍ୱଜାତିର ସ୍ଵାର୍ଥ ଘେନି
ଆସିଅଛ ତୁମ୍ଭେ ।
ତେଣୁ, ଆଜି
ପାଶୋରି ଦେଉଛ ସୃଷ୍ଟି-ଧାରା ।
ନାରୀ ତୁମ୍ଭେ ଯେଣୁ
ନାରୀଲାଗି ହୃଦ ତବ
ଦରଦରେ ଭରା ।
ବସନ୍ତ- ଏ ତ ସ୍ୱାଭାବିକ ଧର୍ମ ।
ମଦନ- ସେହିପରି,
ପୁରୁଷ ଯେ ମୁହିଁ,
ପୁରୁଷ-ମାରଣ ଲାଗି ହୋଇବି ତତ୍ପର ?
ଏ ବିଚାର ଯୁକ୍ତିଯୁକ୍ତ ଟିକ ?
ରତି- ନିରପେକ୍ଷ ବିଚାର ମୁଁ ଚାହେଁ ।
‘ଦୋଷ ଲାଗି ଦଣ୍ଡ’ -
ଏ ଆଶା କି ହୋଇବ ଅବଧି ?
ଯଦି, ସେ ବିଚାର
କର ତୁମ୍ଭେ ସ୍ଥିର କାମଦେବ !
ବିଦାୟ ଦିଅ ରତିରେ
ଅନ୍ତଃପୁରୁ ତବ ।
ଶେଷ କଥା ମୋର ।
ବସନ୍ତ- ଛି, ଛି ।
ଟିକକ କଥାକୁ ରୁଷା !
ସାଜଇ କି ଦୁର୍ବଳତା
ମଦନମୋହିନୀ ପକ୍ଷେ ?
ଏଥିପାଇଁ ସିନା
ଜଗତରେ ରମଣୀ,- ଅବଳା !
ଧର ଧୈର୍ଯ୍ୟ !
ବିଚାରର ଅବସର ଦିଅ ଦେବୀ,
ପତିରେ ତୁମ୍ଭର ।
ସଖା କାମଦେବ !
ଦୁର୍ବଳରକ୍ଷଣ ଅଟେ
ବୀରର ଲକ୍ଷଣ ।
ପଉରୁଷ,-
ନିଜ ଲାଗି ନୁହେଁ ।
ସମୂହ କଲ୍ୟାଣକଳ୍ପେ,
ଯେବେ ରତି ଦେବୀ
ଆସି ପାଶେ ତବ,
ଅନୁଯୋଗ କରୁଛନ୍ତି ବନ୍ଧୁ !
ଦିଅ ତୁମ୍ଭ ବୀରତ୍ୱର
ଶ୍ରେଷ୍ଠ ପରିଚୟ ।
ମଦନ- କିନ୍ତୁ ଋତୁରାଜ !
ଏ ଯେ ଆତ୍ମଘାତୀ ନୀତି ।
ପୁରୁଷ ମୁଁ,
ପୁରୁଷ-ମାରଣେ ନିଜେ
ଧରିବି ମୁଁ ଅସ୍ତ୍ର !
କି କହିବ ତ୍ରି ଜଗତ ମୋତେ ?
ବସନ୍ତ- ମାତ୍ର,
ଅନ୍ୟ ପକ୍ଷ ବିଚାରରୁ, -
ଶରଣ-ରକ୍ଷଣ କି ହେ,
ନୁହଇ ଉଚିତ ?
ନୋହିଲେ ଯେ,
ରଟିବ ଏ ବିଶ୍ୱସାରା
କାମଦେବ କାପୁରୁଷ ବୋଲି ।
ଦୁଇକୂଳ ଭାବିଚିନ୍ତି
ସମାଧାନ ପନ୍ଥା ସ୍ଥିର କର,
ବନ୍ଧୁ ରୂପେ କହିବାର ଏତେ ।
ମଦନ- ନୁହେ କାପୁରୁଷ ମୁହିଁ ।
କିନ୍ତୁ; ପୁରୁଷ ହୋଇ ମୁଁ,
ପୁରୁଷ-ପୀଡ଼ନେ
କଲେ ଅସ୍ତ୍ର ନିୟୋଜିତ,
ନୋହିବ କି ଆତ୍ମହତ୍ୟା ସରି ?
ଧୀର ଚିତ୍ତ, ସ୍ଥିର ବୁଦ୍ଧି ସହ,
ସବୁଦିଗ ଅବସ୍ଥା ବିଚାରି,
ସଖା ତୁମେ-ବନ୍ଧୁ ତୁମେ ମୋ’ର,
ଦିଅ ତୁମେ-ଦିଅ
ଏ ସଂକଟେ,
କର୍ତ୍ତବ୍ୟର ପରାମର୍ଶ ମୋତେ ।
ଅସହାୟ ମଣୁଛି ନିଜକୁ ।
ବସନ୍ତ- କର୍ତ୍ତବ୍ୟର ପରାମର୍ଶ
ଦେବି ମୁହିଁ ?
ଉପସ୍ଥିତା ଥାଉଁ ଥାଉଁ
ଅର୍ଦ୍ଧାଙ୍ଗିନୀ ତବ-
ରତି ଦେବୀ ?
ରତି- କହ ଅରବିନ୍ଦ, ଚୂତ,
ନୀଳୋତ୍ପଳ, ଅଶୋକ, ନିଆଳୀ !
ସବୁ ତ ଶୁଣିଲ ନିଜେ ।
କହ, ଯାହା ବିଚାର ଏଥର ।
ଅରବିନ୍ଦ- ଦେବୀ !
ଆତ୍ମ ସ୍ୱାର୍ଥ ସିଦ୍ଧି ଲାଗି,
ଦମ୍ପତ୍ତି-କଳହ ସୃଷ୍ଟି
ଅତି ଦୁଃଖଦାୟୀ ।
ଦେବଙ୍କ ବିଚାର ମଧ୍ୟ
ଯୁକ୍ତିଯୁକ୍ତ ଲାଗେ ।
ଅଭିଘାତ ବିନା କାହିଁ ସୃଷ୍ଟିର ସମ୍ଭବ ?
‘କର୍ମର ସାଧନ ଅବା ଶରୀର ପାତନ’ -
ଯୁଗେ ଯୁଗେ
ମହାଜନ ନୀତିବାକ୍ୟ ଏହା ।
ଇଷ୍ଟ ସିଦ୍ଧିଲାଗି,
ଲୋଡ଼ା କଠୋର ସାଧନା ।
ସହିଲୁଣି ବହୁ ନିର୍ଯାତନା ।
ପ୍ରତିଶୋଧ ନେବାଲାଗି
ଘେନିଛୁଁ ଶପଥ ।
ପୁରୁଷର ବୁକୁପରେ
ଜାଳିବାକୁ ଅନଳ-ବର୍ତ୍ତିକା,-
ଥାଉ ଆନ କଥା
ମରଣ ବରଣ ଲାଗି
ପ୍ରସ୍ତୁତ ସରବେ ।
କିନ୍ତୁ,
ସେ ସୁଯୋଗ ଲାଭଲାଗି
କାମଦେବ ହେବେ କି ସହାୟ ?-
ଏଇ ନିବେଦନ-ପ୍ରଶ୍ନ ।
(କ୍ଷଣକାଳ ସମସ୍ତେ ନୀରବ ରହିବାପରେ ବସନ୍ତ କହିଲେ)
ବସନ୍ତ- ସଖାମମ ପରମ ଦୟାଳୁ-
କିଏ ଅବା ନ ଜାଣେ ଜଗତେ ?
ତୁମ୍ଭ ନିବେଦନ ଯେବେ ନୋହିଥିବ
ଅସଂଗତ ଅବା ଅସମ୍ଭବ, -
ନିର୍ଭୟରେ କର ଗୋ ବ୍ୟକତ ।
ଭଣିବା ପୂର୍ବରୁ ତାହା
ଉତ୍ତର କିପରି କର ଆଶା ?
ନୀଳୋତ୍ପଳ- ଅରବିନ୍ଦ କହିଛନ୍ତି ସତ୍ୟ
ନିଜେ ନିଜ କର୍ମ ଲାଗି
ନୋହିଲେ ତତ୍ପର,
କି ଫଳ ଫଳିବ
ପର ସାହାଯ୍ୟ ଆଶାରେ ?
ତେଣୁ,-
କାମଦେବ ପଦେ ଆଜି
ଜଣାକରୁଁ ପଦେ-
ପୁରୁଷ ହୃଦୟେ ମଧ୍ୟେ
ପ୍ରବେଶ ସୁଯୋଗ ମାତ୍ର
ଦିଅନ୍ତୁ ସେ କରି ।
ତହିଁ ପରେ,-
ନିଜ କାର୍ଯ୍ୟ ସମାଧାନ
ଦାୟିତ୍ୱ ଆମ୍ଭର ।
ବସନ୍ତ- ଅନୁମୋଦନ କରୁଛି,
ଏ ସାଧୁ ପ୍ରସ୍ତାବେ ।
ଆଶା ମୋର,-
ସମ୍ମତିଦାନରେ
ସଖା ନୋହିବେ କୁଣ୍ଠିତ ।
ବିହିତ ସେ ଅବଶ୍ୟ କରିବେ ।
ମଦନ- ଦେଉଛି ସମ୍ମତି ।
ଆଉ ତହିଁ ତୁଲେ,
ଶୁଭେଚ୍ଛା ଜଣାଏଁ ମୋର :-
ହେଉ ପଞ୍ଚପୁଷ୍ପ ! ତବ
କାମନା ପୂରଣ ।
ରତି- ସାଧୁ ! ସାଧୁ !
(କରତାଳି ବାଦନ)
ମଦନ- ଶରମୁନେ ବସ ତେବେ-
ପଞ୍ଚପୁଷ୍ପ ତୁମ୍ଭେ ।
ସନ୍ଧାନି ବିନ୍ଧିବି ମୁହିଁ
ଟଙ୍କାରି କୋଦଣ୍ଡ ।
ଦେବି ପେଶି, ଲକ୍ଷ୍ୟ କରି
ସବୁରି ଅଲକ୍ଷ୍ୟେ ଶର ।
ପରବେଶି ପୁରୁଷ ମନ-ଗହନେ
ନିଜ କାର୍ଯ୍ୟ କର ସମାଧାନ ।
(କରତାଳି)
ବସନ୍ତ- ସାଧୁ, ସାଧୁ ଏ ପ୍ରସ୍ତାବ ।
ଆଜିଠାରୁ କାମଦେବ
‘ଫୁଲଶର-କର ।’
ଅରବିନ୍ଦ- କେବଳ ସେତିକି ନୁହେଁ -
ଆଜିଠାରୁ,-
ଲଭି କାମଦେବ ଧନୁ -
ମଣ୍ଡନ ଗୌରବ,
ଭାଗ୍ୟବତୀ ଆମ୍ଭେ ପୁଷ୍ପବାଳା ।
ଯୁଗଯୁଗ,
ଏ ସୁଦିନ ସ୍ମରଣ ମାନସେ
ରଟୁ ବିଶ୍ୱସାରା;-
କାମଦେବ-‘‘ଫୁଲଧନୁର୍ଧର ।’’
ବସନ୍ତ- ଧନ୍ୟ ମଦନ-ମୋହିନୀ
ରତି ଠାକୁରାଣୀ ।
ଆନନ୍ଦ ସରବେ ଆଜି
ତୁମ୍ଭରି ପ୍ରସାଦେ ।
ଏଇ ଶୁଭ ମୁହୂର୍ତ୍ତରେ
ଯାହା ମୋର ଆସୁଛି ମନକୁ
କହିବି କି ପଦେ କଥା ଦେବୀ !
ମିଳିବ କି ଅନୁମତି ତବ ?
ରତି- ରତୁରାଜ । ଆନନ୍ଦ ଉଲ୍ଲାସେ ପରା
ଯାଉଅଛ ଭୁଲି-
ମୁଁ ଯେ ତୁମ୍ଭ ବନ୍ଧୁ ପତ୍ନୀ ।
ଏତେ ଅନୁନୟ ଆଉ
ମୋଠାରେ କାହିଁକି ?
ନିଃସକୋଚେ ବ୍ୟକ୍ତ କର
ବକ୍ତବ୍ୟ ତୁମ୍ଭର ।
ସ୍ୱାଗତ ଜଣାଏଁ ମୁହିଁ ।
ବସନ୍ତ- ଧନ୍ୟ ହେଲି ଅନୁଗ୍ରହେ ଦେବି !
ପଦେ କଥା ମୋର-
ହୋଇଲା ତ ବାଞ୍ଚ୍ଥା ତବ ପୂର୍ଣ୍ଣ ?
ନୋହିବ ତ ଅଭିମାନୀ
ଆଉ ମୋ ବନ୍ଧୁରେ ?
ରତି- ( ହସି ) ୠତୁରାଜ !
ଚିରଦିନ ଏହି ରଙ୍ଗ
ନ ଗଲା ତୁମ୍ଭର !
ବସନ୍ତ- ତବ ଶ୍ରୀମୁଖରୁ ଦେବି !
ଏ ବାଣୀ ପଦକ-
ମୋର ଗୌରବ ପଦକ ।
ପଚାରୁଛି ତଥାପି ଆଜି ମୁଁ,
ଏଥିପରେ-
ଆଉ କିଛି-
ଆଉ କିଛି ଆଶା ?-
ରତି- ଆଶା ?
ମନକଥା କହିଦେଲ
ଜାଣି ପରା ସତେ !
ଆଶା ମାତ୍ର- ଦେଖିବାକୁ ଖାଲି
ବିଶ୍ୱମଧ୍ୟେ,
ଏମନ୍ତ ପୁରୁଷ ଅଛି କେହି,-
ପଞ୍ଚପୁଷ୍ପ ଶରଘାତେ,
ପଉରୁଷ ଦମ୍ଭ ଯା’ର
ନ ପଡ଼ିବ ଟଳି ?
ପରୀକ୍ଷାରେ ଅବକାଶ
ଅପେକ୍ଷା ମାତର ।
ବସନ୍ତ- ସ୍ମରଣ ହୋଇଲା ସଖା !
ଦେବୀଙ୍କ ମନର ଆଶା
ସଫଳ ପାଇଁକି
ଉପସ୍ଥିତ ପରୀକ୍ଷାର
ସୁବର୍ଣ୍ଣ-ସୁଯୋଗ ।
ରମ୍ୟ କୈଳାସ ଶିଖରେ,
ଆଜି ମଧ୍ୟ
ଦେଖି ମୁଁ ଆସିଲି,
ବିଶ୍ୱବିମୋହିନୀ
ନାଗରାଜ-ଜେମାମଣି
ତପସ୍ୟାରେ ଅତି ଶୀର୍ଣ୍ଣ ତନୁ ।
ଝାଁଉଳି ପଡ଼ିଛି ସତେ
ଲବଙ୍ଗଲତିକା,-
ଆଶା କରି
ଭୋଳା ଗଙ୍ଗାଧରେ
ପତିରୂପେ ଲଭିବା ପାଇଁ କି ।
ତେଣେ ଯୋଗେଶ୍ୱର-
ନିଷ୍ଠୁର ପୁରୁଷ,
ମହାଯୋଗେ ମଗ୍ନ ।
ତିଳେ ହେଲେ
ନ ଟଳଇ ହୃଦୟ ତାଙ୍କର ।
ରତି- ସାଧୁ ସାଧୁ ୠତୁପତି,
ଶୁଭଯୋଗ ଉପସ୍ଥିତ ଏବେ ।
ପ୍ରସ୍ତୁତ ହୁଅ ଲୋ, ସର୍ବେ
ପତି-ବିରହିଣୀ ପୁଷ୍ପବାଳା !
ଏଇ ମାତ୍ର ପରୀକ୍ଷାରେ ସୁବର୍ଣ୍ଣ ସୁଯୋଗ ।
ନନ୍ଦୀ- ଯୋଗେଶ୍ୱର ଯୋଗମଗ୍ନ ।
ନାହିଁ ପ୍ରବେଶ ଆଦେଶ,
ହରି, ବ୍ରହ୍ମା- ଯେ ଅବା ଆସନ୍ତୁ ।
ଧ୍ୟାନ ଭଙ୍ଗ କରିବାକୁ
ନାହିଁ ଅନୁମତି ।
ସାବଧାନେ ରହ ଭଙ୍ଗୀ !
ଯାଉଛି ମୁଁ
ଗୟସ, ଧୁତୁରା, ବିଲ୍ୱ ପତ୍ରି ,
ସଂଗ୍ରହ କରି ଆଣିବି ପୂଜା ଉପଚାର ।
ଜାଗ୍ରତରେ ଦ୍ୱାର ପାଳି, ଥାଅ ।
ବିଘ୍ନ ଯଥା ନ ଘଟଇ ଲବେ ।
ଭଙ୍ଗୀ- ସେଥିକି ନିଶ୍ଚିନ୍ତ ରହ ।
ସାଧ୍ୟ କା’ର ଏ ତିନି ଭୁବନେ,
ପ୍ରବେଶିବ ପ୍ରଭୁଆଜ୍ଞା ବିନା ?
ଯାଅ- ଫେରିଆସ ତ୍ୱରା ।
( ନନ୍ଦୀ ଚାଲିଗଲେ- ପରେ କୁହୁଧ୍ୱନି )
ଭଙ୍ଗୀ- ( ଚମକି ) ଏ କି ହେଲା !
ସହସା ପ୍ରବେଶ ୠତୁରାଜ !
ଅକାଳେ କୋଇଲିକଣ୍ଠ !
ରସାଳରେ ମୁକୁଳ ବିକାଶ !
ଶିବପୁରୀ ଭରେ ଫୁଲଗନ୍ଧେ !
ମଳୟ ପରଶ ଲାଗେ ଶିରାରେ ଶିରାରେ ।
ଏ କି ବିପରୀତ କଥା ?
(ମଦନ ପ୍ରବେଶ)
ମଦନ- ଦ୍ୱାରୀ !
ଜଣାଅ ଯା’ ନୀଳକଣ୍ଠ ପଦେ-
କାମଦେବ ଦରଶନପ୍ରାର୍ଥୀ ।
ଭୃଙ୍ଗୀ- କିନ୍ତୁ ଦେବ !
ଯୋଗମଗ୍ନ ପ୍ରଭୁ ଦିଗମ୍ବର ।
ଆଜ୍ଞା ନାହିଁ ଭେଟିବାକୁ କେହି ।
ମଦନ- ମାତ୍ର;
ଗୁରୁକାର୍ଯ୍ୟେ ଆସିଛି ଯେ ମୁହିଁ
ଦରଶନ ଆଶେ ।
ସେ କି ପଣ୍ଡ ହେବ ଆଜି ?
ଭୃଙ୍ଗୀ- କ୍ଷମ ଅପରାଧ ଦେବ !
ଉପାୟବିହୀନ ମୁହିଁ ।
ମଦନ- ତେବେ, ଦ୍ୱାର ଛାଡ଼,
ନିଜେ ମୁହିଁ......
ଭୃଙ୍ଗୀ- କହିଲି ତ,
ପ୍ରବେଶ ନିଷିଦ୍ଧ ।
ମଦିନ- ଛାର ଦ୍ୱାରପାଳ ରୋଧେ ପଥ ?
ଯୋଗେଶ୍ୱର ଯୋଗମଗ୍ନ ବୋଲି
ପର୍ବତନନ୍ଦିନୀ ତେଣେ ତେଜିବେ ପରାଣ ?
କହିଲି ମୁଁ ଏତେ କରି-
ନ ମାନିଲ କଥା ।
ଉତ୍ତମ ।
ଦେଖିବି ମୁଁ ତେବେ,
ଯୋଗର ବଡ଼ିମା ।
ଏକ ନୁହେଁ-ଏକାବେଳେ
ପଞ୍ଚଶର ବିନ୍ଧି
ହରହିଆ କରିବି ଜର୍ଜର ।
ଜାଣିବ ଜଗତ-
ମନସିଜ, ମନ ପାରେ ଟାଣି ।
ଶୁଣ ଦ୍ୱାରପାଳ !
ଆଉଥରେ କହେଁ-
ଛାଡ଼ ପଥ ।
ଜଣାଇବି ଦିଗମ୍ବରେ
ପର୍ବତନନ୍ଦିନୀ ବ୍ୟଥା ।
ଥାଉ ଆନ କଥା,
ବିନ୍ଦୂମିତ ଜଳ ମଧ୍ୟ
ଗ୍ରହଣ ନ କରି,
ଶିବ ଭଜି
କଣ୍ଠାଗ୍ରତ ପରାଣ ତାଙ୍କର ।
ମୁହୂର୍ତ୍ତେ ବିଳମ୍ବ ଅନୁଚିତ ।
କଣ୍ଠରେ ଗରଳ ବୋଲି,
ଅନ୍ତରେ କି କୂଟ ହଳାହଳ !
ନାରୀମରା ରୀତି କାହୁଁ ଶିଖିଛନ୍ତି ଶିବ ?
ଦ୍ୱାର ଛାଡ଼ ।
ଭୃଙ୍ଗୀ- ଅକ୍ଷମ ହେ ଦେବ !
ହରଆଜ୍ଞା ନ ପାରିବି ଲଙ୍ଘି ।
ମଦନ- ଦୋଷ ତେବେ ନାହିଁ ମୋର ଆଉ ।
[ଧନୁ-ଟଙ୍କାର ଧ୍ୱନି ଓ ଶର କ୍ଷେପ । ସହସା ଶିବପୁରୀ ମଧ୍ୟରୁ ଘନ ଘନ ଶିଙ୍ଘା ଓ ଡମ୍ବରୁର ଶବ୍ଦ ସହ ପ୍ରଳୟ ତାଣ୍ଡବ ନୃତ୍ୟର ତାଳଲୟରେ ଆବିର୍ଭୁତ ହେଲେ ହର । ତୃତୀୟ ନୟନରୁ ତାଙ୍କର ଅଗ୍ନିଶିଖା ଝଲସି ଉଠୁଛି ।]
ମଦନ- ଓଃ !
ଜଳିଗଲି, ପୋଡ଼ିଗଲା ଅଙ୍ଗ ।
ରକ୍ଷାକର ଭୂତପତି,
ନ ଜାଣି ଅର୍ଜିଲି ଅପରାଧ ।
ଏ କି ଅଦ୍ଭୂତ !
ଶିବଶିରେ ତୃତୀୟ ନୟନ !
ସ୍ଫରେ ବହିକଣା ।
ଜଳିଗଲି, ଜଳିଗଲି ।
ଜଳିଗଲା ତନୁ ।
ରକ୍ଷାକର ଯୋଗେଶ୍ୱର !
କ୍ଷମାକର ।
ଅପରାଧ ମୋର ।
କ୍ଷମା-କ୍ଷମା-
(କ୍ଷୀଣ ହେଲା କଣ୍ଠ-ସହସା ରତି ପ୍ରବେଶ)
ରତି- (କରଯୋଡ଼ି) ସମ୍ବର, ସମ୍ବର କ୍ରୋଧ
ଦେବ ମହେଶ୍ୱର !
ଚନ୍ଦ୍ରଚୂଡ଼ !
ଏ କି କଲ ପ୍ରଭୁ,
ପତିହୀନା ହେବ ରତି ତବ କୋପ ଫଳେ !
ତୁମ୍ଭେ ଯେବେ ନ କରିବ କ୍ଷମା,
ଆଶୁତୋଷ ନାମେ ସିନା-
ଲାଗିବ କଳଙ୍କ !
ପତି-ଭସ୍ମଚିତା ବୋଳି,
ଭୁବନେ ଭୁବନେ ବୁଲି,
ଗାଇବି ମୁଁ କଳଙ୍କର ଗାଥା ।
ଶିବ ଘରେ ଅଶିବ ଭିଆଣ ?
ହେ ଶଙ୍କର !
ଶ୍ରୀଚରଣେ ଭିକ୍ଷା ମାଗେ ଦାସୀ;-
ପତିରେ ମୋ ଦିଅ ଫେରି କୋଳେ,
କ୍ଷମ ଅପରାଧ ।
ହର- ଦେବି !
ଯୋଗମଗ୍ନ ଥିଲି ମୁହିଁ ।
ଅକାଳରେ
ଯୋଗଭଗ୍ନ କରି ମନସିଜ,
ସୃଷ୍ଟି କଲା ଯୋଗନେତ୍ର ଶିରେ ।
ପୁଣି, ଏକ ନୁହେଁ-
ପଞ୍ଚଶର ସନ୍ଧାନି ସେ
ଗର୍ବିତ କନ୍ଦର୍ପ,
ଜର୍ଜର କରିଲା ତନୁ ମୋର ।
ଯୋଗ ନେତ୍ରୁଁ
ଅନଳ ପ୍ରସରି ତହୁଁ
ଭସ୍ମକଲା ଅଙ୍ଗ ।
ଚପଳତା ପ୍ରତିଫଳ ଏହା ।
ଯୋଗୀପାଶେ ଛାର ପଞ୍ଚଶର ।
ଉଦ୍ଧିତ ମଦନ !
ପାତ୍ରାପାତ୍ର ବିବେଚନା
ନ କରି ମାନସେ,
କୃତକର୍ମ ପରାଭବ ଭୁଞ୍ଜିଲା ଆପଣେ ।
ନାହିଁ ମୋର ଅପରାଧ ତିଳେ ।
ରତି- କ୍ଷମା ପୁଣି ସମ୍ଭବ ତ
ଆଶୁତୋଷ ପାଶେ ।
ଚରଣତଳରେ,
ମାଗେ ଦାସୀ ନତ ମାଥେ କ୍ଷମା ।
ଦିଅ ଦେବ ! ଫେରି ମୋ ପତିରେ ।
ରଖ ଏ ମିନତି !
ନତୁ ଝାସ ଦେଇ
ପତି-ଚିତାନଳେ
ହାରିବି ଜୀବନ ।
ନାରୀହତ୍ୟା କଳଙ୍କର ଭାଗୀ ହେବ
ଆପଣେ ଶଙ୍କର ।
ହରି- କିନ୍ତୁ ଦେବୀ !
ମନସିଜ ଆଜିଠାରୁ,
ହୋଇବେ ବିଦେହୀ,
ତନୁ ସୃଷ୍ଟି ନୁହେଁ ମୋ କଳ୍ପନା ।
ଜାଣୁ ବିଶ୍ୱ-
ଯୋଗୀ ପାଶେ ପଞ୍ଚଶର
ତୃଣାଦପି ତୁଚ୍ଛ ।
ପୁନର୍ଜୀବନ ମୁଁ ଦେଲି,
ହରଣ ନ କଲି ଶକ୍ତି ।
ମାତ୍ର,
ଗର୍ବ କଲି ଖର୍ବ,
ଆଜିଠାରୁ କାମଦେବ,
ଅନଙ୍ଗ-ଅତନୁ ।
(ତାଣ୍ଡବର ବାଦ୍ୟନାଦ ସହ ଘନଘନ ଶିଙ୍ଘାଧ୍ୱନି)