ଗୀତ ମଞ୍ଜରୀ

ଗୀତ ମଞ୍ଜରୀ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

(ଭଜନ ଓ ଜଣାଣ)

ଗିରି କୁମାରୀ ! ଋଷନା ଶ୍ୟାମା,

ଶୁଣ ଗୌରୀ !

ଆନ କି ହେବ ଏ ଧାରା

ପାଷାଣ ତନୁଜା ପରା (ତୁ)

କାହୁଁ ତା ଯିବୁ ପାଶୋରି ? ।।୦।।

 

ଭୁବନ ରଟେ ତୁ ଯେ ତନୟ ତାରିଣୀ

ମଙ୍ଗଳ-ମୟୀ ମାଆ, ଭବ ଶିବଦାନୀ

ପାଷାଣୀ ନୋହିଲେ ତୁନି କି ରହେ ମାଆ

ଯାଏ କି ତନୟ ତା ଦୁଆରୁ ଫେରି ? ।୧।

 

ଋଷିଲେ ଋଷ ମାଆ, ସତ ମୁଁ ଦେଲି କହି

ବଳିଲା ପରା ସୀମା, ସବୁ ତ ସହି ସହି,

ତୋ ରୀତି ଜାଣି ତ ସତେ ଗୋ ଭବାନି ।

ଗଙ୍ଗା ଶିରେ ଧରି ଭୋଳା ଭିଖାରୀ ।୨।

 

ଡରି କେ ଡାକେ ସିନା ଦୟାମୟୀ ତୁ ବୋଲି

ଆଉ କି ଡର ମୋର, ସବୁ ତ ଗଲା ସରି

ପାଷାଣୁ ଜନମ ଭୁଲିବୁ କି କରି

କବିଶଶୀ କହେ ମା ପାଦ ଜୁହାରି ।୩।

–୦–

 

ନଦକୁଳ-ଚନ୍ଦ୍ର ଜୟ ଶିଖି-ପୁଚ୍ଛ ଧାରୀ

ଜୟ ଯଶୋଦା-ଜୀବନ-ଧନ, କୁଞ୍ଜବନ-ଚାରୀ ।।୦।।

 

ଆରତି ଘେନ, ମିନତି ଘେନ

ଚରଣ ତଳେ ପ୍ରଣତି ଘେନ

ଘନ-ବରନ ମନ-ମୋହନ

ଗୋପୀ-ମନୋହାରୀ ।୧।

 

ଯମୁନା-ତଟ ବଂଶୀ ବଟ-

ନିକଟ ବନ ନଟନ-ଶଠ

ନିପଟ ଧିଟ, ନଟ-ମୁକୁଟ

କପଟ କଂସାରି ।୨।

 

କାଳୀ-ବିଷ-ଦଳନ, ବଳି-

ଦାନ-ଛଳୀ, ସୁର-ମଉଳି

ଲଳିତ କଳିକାବଳି-

ସୁମାଳି, ଦଇତାରି ।୩।

 

ମାଧବ ହେ, ଚରଣ ତବ

ଅଗମ, ମୁନି ଜନ-ବିଭବ

ଭବ-ଜଳଧି ନାବ ହେବ

କେଶବ ମୁରାରି ।୪।

–୦–

 

କଣ୍ଠ ଘେରି ତୁଳସୀ-ଦଳ ପରଶେ

ହରି ଦରଶନ କାହିଁ

ଶିର ଭରି ହରି-ଚନ୍ଦନ ବାସେ,

ହରି ଦରଶନ କାହିଁ ? ।୦।

 

 

ରାମ ନାମ ନିତି ନିଶି ଦିନ ଗାଇ

ଗଙ୍ଗା ଜଳ ଦଳ ପାଇ

ପାଟ ପୀତାମ୍ବର ତିଳକ ପହରଣେ

ତାଳ ମୃଦଙ୍ଗ ବଜାଇ-

ହରି ଦରଶନ କାହିଁ ? ।୧।

 

ବାସ କରି ଗିରି କାନନ ଗହନେ

ଯାଗ ତ୍ୟାଗ ଅଜମାଇ

କ୍ଷୀର, ନୀର ଫଳ ମୂଳ ଭୋଜନେ

ଜପ ତପ-ଝୁଲି ଝୁଲାଇ-

ହରି ଦରଶନ କାହିଁ ? ।୨।

 

ପ୍ରେମ-ଭରାଭର ଅନ୍ତରେ ଅନ୍ତରେ

ଘଟେ ଘଟେ ସେ ଯେ ଥାଇ

ପ୍ରେମ ବିନେ କବିଚନ୍ଦ୍ର କହେ

ମିଛ ମନ୍ଦିର ମେଢ଼ ସଜାଇ-

ହରି ଦରଶନ କାହିଁ ? ।୩।

–୦–

 

(ଆଉ) କେତେ ପରଖିବ ନିରଖ ଜନରେ

ଲାଜ କି ଦେଲ ପାଶୋରି

ପରଖି ପରଖି ମନ ମାନି ନାହିଁ

ସାଧ କି ଅଛି ଆହୁରି ? ।୦।

 

ଢାଳିଲ ମଥାରେ ଯେତେକ ଜଞ୍ଜାଳ

ସବୁ ତ ସହିଲି ନକରି କଟାଳ

ଆଖି ଛୁଇଁ ମୋତେ

ଚକା-ଡୋଳା ! ସତେ

କହ ତୁମେ ସତ କରି,

ମାରିବା ଜନଟି ବଡ଼, କି ସହିବା ଜନେ

ଘେନ ବଡ଼ କରି ? ।୧।

 

ପ୍ରଭୁ ବୋଲି ସିନା କହିବି ନାହିଁ ମୁଁ

ଛୋଟ ମୁହେଁ ବଡ଼ କଥା,

ଯେବେ ଯାହା ତୁମେ ଦଣ୍ଡିଛ, ତହିଁକି

ପତାଇ ନାହିଁ କି ମଥା ?

ତୁମେ ପରା ଥରେ ଗିରି ତୋଳିଥିଲ

ମୋ ପରା ଧୂଳିକି କଷି ତ ବସିଲ !

କାହାକୁ କା ତୁଲେ

ତୁଳିଲ ହେ ଭଲେ

କହିଲ ଥରେ ବିଚାରି,

ମୁହଁ ଖୋଲି ଦେଲେ, ଦେବିଟି ତୁମର

ମହତ ଦିକଡ଼ା କରି,

ବଡ଼ ଲୋକ ବୋଲି, କେତେ ବା ସହିବି ?

ଅଛି ତ ସୀମା ସବୁରି ।

–୦–

 

ମିନତି ମୋର ଘେନ ଗିରିଧାରୀ,

ନଟବର କୁଞ୍ଜବିହାରୀ ।।୦।।

 

ସୁନ୍ଦର ହେ, ଧର ଗିରିବର ମନ୍ଦର

ଯମୁନା ତଟ ବନଚାରୀ

ରାଧା ମନ-ମନ୍ଦିର ଅଧିନାୟକ

ମାନ ରଖ ମୁରଲୀଧାରୀ ।।୧।।

 

ନାଗର ହେ, ବ୍ରଜ ବନିତା ମନହରି

ପରମ ପୁରୁଷ ନରକାରି,

ନାରାୟଣ, ଭବ ତାପ ନିବାରଣ

କୋଟିଚନ୍ଦ୍ର ଶିରୀହାରୀ ।।୨।।

 

ଜନମ ଜନମ ସେହି ଚାରୁ ଚରଣ ଧୂଳି

ଶିର ଚନ୍ଦନ ସରି ଭାଳି

ଶ୍ୟାମ ନାମ ଗୁଣ ଗାଇ ଯାଉ ଦିନ

କବିଶଶୀ ଚରମ ଗୁହାରୀ ।।୩।।

–୦–

 

ଜଗବନ୍ଧୁ ହେ, ବନ୍ଧୁ ଯଦୁ ନନ୍ଦନ !

ପ୍ରଭୁପଣେ ବଡ଼ ପତାକା ଉଡ଼ୁଛି

ବୋଲାଉଛ ପରା ଜଗବନ୍ଦନ ? ।।୦।।

 

ରସା ମଜାଇଲ ଗୋପ ଗୁଆଳୀକି

ଦଳିଥିଲ ପରା କାଳୀ ବଳିକି

ହେ, କରି ଭେଳିକି

ମିଠା ଚାଖିସାରି ସିଠା ଫିଙ୍ଗିଦେଲ

ରାଧା ମଲା ଝୁରି ବଂଶୀ ବଦନ ।।୧।।

 

ଦୁଃଖ ସହି ସାରା ଜନମ ବିତିଲା

ସୁଖ ବୋଲିବାର ହେଲା ସପନ

ହେ, ଧନ୍ୟ ଆପଣ,

ଆଉ କି ରଖିଚ ସାଇତି ମୋ ପାଇଁ

ଦେଖିବା ହରି ହେ ବଡ଼ିମା ଟାଣ ।।୨।।

 

ଟେକା ଟେକି କରି ଡାକ ଯେ ମାଇଲା

ଦିନରାତି ପାଦେ ମଥା କୁଟିଲା

ସେ ଭବୁ ତରିଲା,

କେତୋଟି ତାରିଛ ମୋ ପରି ଅଧମ

ଦିନେ ଯେ ନ ଡାକେ ମଧୁସୂଦନ ? ।।୩।।

 

ବଡ଼ପଣେ ଯେତେ ଜଞ୍ଜାଳ ଢାଳିଲ

ମଥା ପାତି ପ୍ରଭୁ, ସବୁ ସହିଲି

ମୁଁ ଅଳି ନକଲି

ଲାଜ ନାହିଁ ! ବଳ କଷୁଚ ଆହୁରି

କାହିଁ ପରବତ କାହିଁ ପାଷାଣ ।।୪।।

–୦–

 

ମନ୍ଦର ଗିରିଧର            ବ୍ରଜ ସୁନ୍ଦର ହେ,

ବାସ ନୀଳ କନ୍ଦର ହେ,

ନନ୍ଦ ନନ୍ଦନ ଆନନ୍ଦ କନ୍ଦର ହେ ।।୦।।

 

ଡରିମରି ସିନା ମୁଁ ସାଆନ୍ତ ବୋଲୁଛି

ମନ କହୁ ନାହିଁ ସାଆନ୍ତ ମୋର,

ବଡ଼ ପଣେ ବଡ଼ ପତାକ ବାନ୍ଧି ତ

ମୋ ଲାଗି କିଳିଲ ସିଂହ ଦୁଆର

ନିଦା ପଥର, ମଲି ଏଥର

ବୁଡ଼ିଯିବ ପ୍ରଭୁ ପଣ ଚାତର

(ଆଉ) ବଡ଼ ବୋଲି କେ କରିବ ଖାତର ହେ ? ।।୧।।

 

ଅଳି ଅଝଟକୁ ଡରି ଗଲେ ଛାତି

ପ୍ରଭୁ ବୋଲାଇବ କେଉଁ ଗୁଣର ?

ବୁଡ଼ି ରହି ନିଜେ ଛପନ ଭୋଗରେ

ସେବକ ଜନରେ କରିଲ ପର ହେ !

ନିଦା ପଥର, ମଲି ଏଥର

ଛଡ଼ାଇ ନେଉଛ ବଢ଼ା ପତର

(ଆଉ) ଫାକାଶୀ ଉଡ଼ିଲା ରଖ ଏଥର ହେ ।।୨।।

ନାଚରେ, ନାଚରେ, ନାଚରେ

ନବ ନଟବର ଗିରିଧର ଆଜ ।।୦।।

 

ଅଳକତ ରଞ୍ଜିତ ଚରଣ-ସରୋଜେ

କନକ ରତନ ରୁଚି ନୂପୁର ବିରାଜେ

ରୁମୁଝୁମୁ ରୁମୁଝୁମୁ ମଧୁର ନିନାଦେ

ଶିରପର ବନ ଫୁଲ ତାଜ ।।୧।।

 

କଟିତଟ-ପୀତପଟ-ବନଫୁଲ ଶୋହେ

କମ୍ବୁ-କଣ୍ଠ ତଟେ କଉସ୍ତୁଭ ମୋହେ

କଞ୍ଜ ବଦନ ଛବି ନିରେଖି ସଦା, ହେ

କୋଟି ମଦନ ପାଏ ଲାଜ ।।୨।।

 

ରାଇ ରାଇ ଘନ ମୁରଲୀ ଫୁକାରେ

ମଞ୍ଜୁ କୁଞ୍ଜେ, ମଧୁ ଚନ୍ଦ୍ର ନିଶାରେ

ଛନଛନ ଧନୀ ମନ, ପଲକେ ବିଶୋରେ

ଗୁରୁ ଗୁରୁଜନ ତନୁ-ସାଜ ।।୩।।

–୦–

 

କଳା ବଦନ ଛବି ଚାହିଁ ଆରତ ଜଣେ

କର ଯୋଡ଼ି କାକୁସ୍ଥରେ ଗୁହାରି ଭଣେ ।।୦।।

 

କରମ ଯେବେ ଫଟା-କାହିଁକି ସଟା ବଟା

କହିଦେଲେ ସରନ୍ତା-ଆଉନଥାନ୍ତା ହଟା

କିଏ ମଥା କୁଟନ୍ତା ଖାଉନ୍ଦ ପଣେ ।୧।

 

କାଳ ଲାଗିବ ବୋଲି-ବଡ଼େ ଥାଆନ୍ତି ଡରି

ଛାଏଁତ ମୁଖେ କାଳ-ବୋଳିଛ ବନମାଳୀ

(ଆଉ) କି ଡର ନିନ୍ଦା କଲେ ହଜାରେ ପଣେ ।।୨।।

–୦–

 

ଭଜ, କୃଷ୍ଣ ଚନ୍ଦ୍ର ହରେ

ଜୟ କୃଷ୍ଣ ଚନ୍ଦ୍ର ହରେ ।।୦।।

 

ଶ୍ୟାମ ହେ- ମୂରତି ଜିଣେ କୋଟି କାମ ହେ

ଅଭିରାମ ମୋହନ ଠାମ ହେ,

ଶରଣ ରଖ ପ୍ରଭୁ ପ୍ରଣତ ଜନରେ

ଚରଣ-କଞ୍ଜ ତଳେ ।।୧।।

 

ଚାରୁ ଚନ୍ଦନ-ଗନ୍ଧ ଶୋଭନ

ଚନ୍ଦ୍ରଜିତ ଛବି ଭୁବନ ମୋହନ

ବନ୍ଦନୀୟ ହେ, ନନ୍ଦ ନନ୍ଦନ

ମୋହନ ବଂଶୀ କରେ ।।୨।।

–୦–

 

କୋଟି ଶଶୀ ବିଜିତ ମୁଖ କାନ୍ତି

ଉଦୟେ ତବ ଦୂର ତମ-ରାତି,

ବିମଳ ତବ ହାସ ତଳେ,

ତପନ ଛବି ଖେଳଇ

ନୟନ ତଳେ ମୂର୍ତ୍ତିମତୀ ଶାନ୍ତି ।।୦।।

 

ଅମଳ ତବ ଚରଣ ରଜ ମାଖି

କମଳ ବନେ ବିକଚ ଶତ ଆଖି

ଭୃଙ୍ଗ ମନ ଗୁଞ୍ଜି ଘନ

ମତ୍ତ ମଧୁ ଲାଳସେ-

ଦିବସ ନିଶି ଭରମେ ନିରିମାଖି ।।୧।।

 

ମରମ ଫେଇ ଚାହିଁଛି,

ଅତିଥି ! ତବ ଆଗମେ

କୁଞ୍ଜ ଫୁଲ ଦଳ ତଳପ ପାତି,

କେବେ ହେ ଦେବ !

ଚରଣ ତବ ପରଶି; ସତେ ହାରିବ

ଚିର-ଦୂଷିତ ମନ କଳୁଷ-କ୍ଳାନ୍ତି ।।୨।।

–୦–

 

ଜଗବନ୍ଧୁ ପଦ ପଙ୍କଜେ

ସଦାନନ୍ଦେ ମୂଢ଼ ମତି ଧ୍ୟାନ ସରଜେ ।।

କୁଞ୍ଜବନ-ଚନ୍ଦ୍ର ମଧୁ-ରାସ ରଚ ବରଜେ,

ରାମ, ଶୁଭ କାମ-ଛବି ନିନ୍ଦି ମୁଖ ସରଜେ

(ପଡ଼ି)

ମନ୍ଦର-ଧର ସୁନ୍ଦର, ରାଜିତ ନୀଳ କନ୍ଦର

ମୁନିଜନ ମନ-ମୋହନ, ଯୁଗ ଯୁଗ ଜଗ-ପାବନ

ହେ ସୁର ନର ପାଳନ

ଦୁଷ୍ଟ ଦନୁଜ ନାଶନ

ମାରଣ, କାରଣ, ତାରଣ ଜଗନ୍ନାଥ ନାରାୟଣ

ନିତି କବିଚନ୍ଦ୍ର ଭଜେ,-

ପଦାମ୍ବୁଜେ ।।

–୦–

 

ଚରଣ ତଳେ ତବ ଶରଣ ମାଗେ

ବରଜ-ବନ ବନ-ଚାରୀ

କେକୀ ଝାଲର, ଶ୍ୟାମ ସୁନ୍ଦର

ଗୋପିକା ମନୋହାରୀ ।।୦।।

 

ଫୁଲ୍ଲ ଶତଦଳ, ବଦନ ନିରିମଳ

କୋଟି ଶଶି-ଶିରୀ ହାରୀ ହେ,

ନବୀନ ନୀରଦ କାନ୍ତି ଝଲମଲ

ମୋହନ ମୁରଲୀ-ଧାରୀ ।।୧।।

 

ରାଇ-ପ୍ରେମ ପିପାସୀ ନଟବର

ପ୍ରଣତ-ଜନ-ହିତକାରୀ ହେ,

ଅନ୍ତେ ଚରଣରେ ଠାବ ଦିଅ ହରି,

ମିନତି ଘେନ ଗିରିଧାରୀ ।।୨।।

–୦–

 

ଭଜ ଶ୍ୟାମ, ମଧୁର ଠାମ, ନବୀନ କାମ-ମୋହନକୁ

ଶୁଭନାମ, ସୁରଭି ଧାମ, ମୂରତି-ବାମ-ଶୋଭନକୁ ।।

 

କଞ୍ଜ ପୟରେ ନୂପୁର

ଖଞ୍ଜ-ନୟନୀ ମରମେ ବାଜେ,

ବିମ୍ବ ଅଧର, ଚୁମ୍ବି ମଧୁର, କୁନ୍ଦ ଦଶନକୁ ।।

 

ରାଇ ରାଇ ମୁରଲୀ ବାଇ

ଚାହିଁ ଚାହିଁ ନୀର ଝରାଇ

କୁଞ୍ଜ ଭବନ, ପ୍ରେମ ମଗନ ପୀତ ବସନକୁ ।।

–୦–

 

ମନ ମୋହନ, ବ୍ରଜ ଚନ୍ଦନ

ଜଗ ବନ୍ଦନ-ଗିରି ଧାରି,

ଅମଳ ଶତଦଳ-ନିନ୍ଦି ପଦ ତଳ

କୁଞ୍ଜ ବନ ବିହାରି ।।

 

କି ସତେ ନାହିଁ ଆଉ, ରତନ ଆକର

ମଦନ-ମୋହିନୀ ଛବି ଝୁରେ ଯାର

ଭବ-ବିଭବ ଠୁଳ-ଲକ୍ଷ୍ମୀ ଘର ସାର

କି ଦେବି ବୋଲି ମରେଁ ଭାଳି ।୧।

 

ହରିଛି ବଳେ ତବ ମନ ହେ ମୋହନ !

କଟାକ୍ଷ ଶର ମାରି କିଶୋରୀ-ନୟନ

ଦେଉଛି ଭେଟି ଆଜି ମନ ମୋର ଘେନ

ଧୋଇ ମୁଁ ଆଖି ନୀର ଢାଳି ।୨।

–୦–

 

କାହିଁ ସଖି ! କାହିଁ ସଖି !

ବଂଶୀ ବଦନ ଘନଶ୍ୟମ,

ବୃନ୍ଦାବନ ତେଜି            ମଧୁପୁରେ ରାଜେ

କୁଞ୍ଜ ଭବନ ନବଠାମ ।୦।

 

ଦରଶ ବିନେ ରାଧା            ନିଶି ଦିନ ଝୁରେ

ନିଠୁର ବନ୍ଧୁଆ ଗୁଣ ଧାମ,

ଦୁଃଖ ଦିଏ ଅବିରାମ-ସୁନ୍ଦର ମୁଖ ଜିତ କାମ ।୧।

 

ନୟନ ସଲୀଳେ ଯମୁନା ବହାଏ

(ରାଈ) କଜ୍ୱଳ ଘେନା ବାମ,

ତା ବଦନ ଅଭିରାମ, ଦରଶନ ବିନେ ଭଜେ ଝାମ ।୨।

–୦–

 

କରୁଣା ଦୁଆରେ ଭିଖାରୀ ଆସିଛି

କଣ୍ଠେ ବେଦନା ଗୀତି,

ନୀର ଧାର ଝରେ, ତୁମରି ବିହୁନେ

ପୋଡ଼ଇ ଆକୁଳ ଛାତି ।୦।

 

ସବୁ ଆଶା ସୁଖ, ମାୟା ମୋହ ମୋର

ଦୂରେ ରହିଲାଣି, ଶୂନ୍ୟ ଏବେ ଘର

ବିମୁଖ ନକର ଦୀନଜନେ ଆଉ-

ନାହିଁ କେହି ଦୁଃଖ ସାଥି ।

 

ସୁଖ ରବି ନାହିଁ ଦେବ ସେ ଆଲୋକ

ନିଦ କି ସପନ ନଜାଣେ ପଲକ,

ଦୂରୁଦିନେ ଆଉ ନାହିଁ କେ ଭରସା-

ତୁମେ ଏକା ପ୍ରାଣ-ପତି ।।

–୦–

 

ଅନାଥେ ଅନାଅଁ ଥରେ ଆଡ଼େ ଅନାଥ-ଶରଣ

କି କହିବି ମନ-କଥା ଅନ୍ତର୍ଯ୍ୟାମୀ କି ନ ଜାଣ ?

ତବ ବିନେ କିଏ ମୋର

ଘୁଞ୍ଚାଇବ ଖେଦ ଭାର,

ଅହରହ ଜଞ୍ଜାଳରେ ଭାର ଜୀବନ ବହନ ।୧।

 

ଆଶାରେ ଆଶାରେ ମରି

ଗଲିଣି ହେ ନାଥ ସରି,

ଏ ଆଶା ପୂରିବ ଯେବେ ମେଲିବ ତୁମେ ନୟନ ।୨।

 

ଚରଣ ଧୂଳିର ତଳେ

ଥରେ ହେଲେ ଠାବ ଦେଲେ

ମେଣ୍ଟିଯିବ ସବୁ ତୃଷା ଅଭାଜନ ଅକିଞ୍ଚନ ।୩।

–୦–

 

ଅନ୍ତରେ ମୋର ଅନ୍ତରଯାମୀ ଆଜ

ମରମ ଆସନେ ଆସ ହେ ନାଥ ବିରାଜ ।।

 

ଗୋଧୂଳି ଶୁଭ ଲଗନେ, ମଧୁର ବାସ ପବନେ

ଫୁଲ ସାଜେ ସାଜି ରଖିଛି ଦେବତା

ନଦିଅ ଲୋକରେ ଲାଜ ।।

 

କହିଦିଅ ମୋତେ କାନେ କାନେ ବନ୍ଧୁ

କି ବୋଇଲେ ତୁମେ ଶୁଣ,

ଶିଖାଇ ଦିଅ ଗୋ, ଗାଇଲେ କି ରାଗେ

ଫୁଟିବ ତୁମରି ଗୁଣ,

କି ତୁଳି ଧରିଲେ ଲେଖିପାରିବି ମୁଁ

ତମରି ମୋହନ ଛବି,

କି ଭଳି କବିତା ଲେଖିବି, ହେବି ମୁଁ

ତମରି ବିରହୀ କବି,

 

କି ସୁରେ ବାନ୍ଧିବି ବୀଣା

ହେବ ତବ ମନ କିଣା

ତମ କମ ଛବି ଡୋଳାରେ ନାଚିବ

ନୟନ ମୋହର ମାଜ ।

–୦–

 

ସୁଖ ନୁହେଁ ତବ ଆଶିଷ ବିଧାତା,

ଦୁଃଖ ସିନା ତବ ଦାନ,

ରଜନୀ ବିନା କି ସାଜଇ ସରସ-

ଦିବସ ଶିରୀ ତପନ ?

 

ନିରାଶ ନିଶିରେ ଅନ୍ଧାର ଭିତରେ

ଜଳେ ଯେବେ କ୍ଷୀଣବତି,

କୋଟିଏ ପ୍ରଦୀପ ଶିଖାରେ ବିକାଶେ

ପ୍ରେମିକ ତୁମରି ଜ୍ୟୋତି,

ସେ ଆନନ୍ଦ କାହିଁ ସାଇତି ରଖିବି

ଖୋଜି ତ ନପାଏଁ ଥାନ ।୧।

 

ଦୁରୁଦିନେ ଯେବେ କୋମଳ କରଟି

ପରଶଇ ଶିର ମୋର

ତୁଷାର ଶୀତଳ ସେ ଅବା ସତେ କି

ଶରଦ ଶଶିର କର

ଖେଦ ଯାଏଁ ଭୁଲି, ପରଶେ ଘୁମାଇଁ

ନିରଖେଁ ସୁଖ ସପନ ।

–୦–

ପତିତ ପାବନ ନାମ

କିଏ ବା କହିବ,            ନତାରିବ ଯେବେ

ମୋ ପରି ପତିତ ଜନ ?

 

ଜାଣିତ ନଥିଲ            ମୋ ସରି ପତିତ

ଜନମ ଲଭିବ ଭବେ,

ଜାଣିଥିଲେ ସତେ,            ପତିତ ପାବନ

ନାମ କି ଧରନ୍ତି କେବେ ?

ଅଳି କରୁନାହିଁ,            ପାଶେ ଯିବା ପାଇଁ

ଛାଏଁ ନଡାକିବ ଯେବେ,

ନାମରେ ତୁମରି କଳଙ୍କ ଲାଗିବ-ହସିବ ସିନା ଭୁବନ ।୧।

 

ଲାଜ ଡର ଥିଲେ            ଘେନ ଦୟାନିଧି,

ପତିତ ଜନରେ ପାଶ,

କେବେ ନେବ ଅବା କେତେ କାଳ ପରେ

ଏ ପରାଣେ ଦିଅ ଆଶ,

ଅତୀତ ପାଶୋରି,            ପତିତ ଆସିଛି

ଗତି ତ ନାହିଁ ଜୀବେଶ,

ପ୍ରତିଦାନେ ନୀର ଧାର ସାଇତିଛି ନିରେଖଦୁଇ ନୟନ ।୨

ଲାଜ ରଖ ଗିରିଧାରି ହେ ।

ଘନ-ବରନ ବନଚାରି !

କଞ୍ଜଜିତ ଯୁଗଚରଣ ତଳେ ତବ

ଶରଣ ଦିଅ ହେ ମୁରାରି ।।୦।।

 

ମୟୂର ମୁକୁଟ ଶିର ପରେ ଝୁଲେ

ଉର ଶୋଭିତ ବନ ଫୁଲେ-

ପୀତ ବସନ ନୀଳ ତନୁବର ସାଜେ

ନବ ଘନେ ଦାମିନୀ ସେ ଯେ,

କଟି ତଟେ ପୀତ ପଟ ଝଲକି ବିରାଜେ

ମରେଁ ମରେଁ ଶିରୀକି ନିହାରି ।୧।

 

ରାଇ ରାଇ ଘନ ମୂରଲୀ ଫୁକ ରେ

ବ୍ରଜ କାମିନୀ ମନ ଘାରେ-

ତ୍ରିଭଙ୍ଗ ବଙ୍କିମ ଠାମ ବିରାଜେ,

କିଙ୍କିଣି କିଣି କିଣି ବାଜେ

ରତିପତି ହେରି ମରେ ଲାଜେ

ନୀପ ଉପବନ ବନଚାରୀ ।୨।

–୦–

ଜୟ ଜଗଦୀଶ ହରେ,

ପରମବ୍ରହ୍ମ ପରମେଶ୍ୱର ଈଶ୍ୱର

ଶୋକ ତାପ ହରତା ରେ ।।

ଗଗନ ପବନ ବନ-ଉଜ୍ଜ୍ୱଳ ଏ ତପନ

ସୁନ୍ଦର ଶଶଧର, ତାରା,-

ଜଗସାରା, ପ୍ରେମ ଗାନ ମତୁଆରା-

କଂସ ନିସୁଦନ-ତ୍ରି ଭୁବନ ବନ୍ଦନ

ତାପିତ ଜନ ମନ ବାସିତ ଚନ୍ଦନ

ଆଦି ଅନ୍ତ ତବ, ନିତ୍ୟ ସନାତନ,

ଧ୍ୟାନ ଯୋଗ ପରପାରେ ।

–୦–

 

ହେ ବିରାଟ ! ହେ ମହାନ !

ମହିମ ତବ ନିଖିଳ ବିଶ୍ୱ ଗାଏ

ଚକିତ ଜନ ନୟନ ମନ

ଧ୍ୟାନ ରୂପ ନିତି ନିରେଖି ଚାହେଁ ।

 

ଅରୂପ ଛବି ତବ ସରୂପ ଜୀବ ତଳେ ଫୁଟେ

ନୀଳ ଆକାଶ, ରବି ଶଶି ପ୍ରକାଶ ଫୁଲ ଲୁଟେ

ଅମଳ ତବ ଚରଣତଳେ

ଜଗ ସତତ ଧ୍ୟାୟେ

ପ୍ରଣତି ଜୀବ ଶାନ୍ତି ସୁଧା ପାଏ ।

–୦–

 

ଅରୂପ ସରୂପ ତୁମେ ବହୁ ରୂପ ଧାରୀ

ତୁମେ ରାଜ ରାଜେଶ୍ୱର, ପଥର ଭିଖାରୀ ।।୦।।

 

ଆକାଶ ଅଙ୍ଗେ ଅନାଦ ଅନନ୍ତ

ଅଶନି ପ୍ରକାଶେ ତୁମେ ବଳବନ୍ତ

ତପନ ତ ଘୋଷ ତୁମେ ହେ ଜ୍ୱଳନ୍ତ

ଶଶୀ ଭାଷେ ସୁଶୀତଳ ଜନ ତାପ-ହାରୀ ।।୧।।

 

ଜଳଧି ତରଙ୍ଗେ ତୁମେ ହେ କରାଳ

ନଦୀ ପୂଣ୍ୟ ଧାରେ ତୃଷ୍ଣା ନିବାର

ମରୀଚିକା ସଙ୍ଗେ ଖେଳ ଇନ୍ଦ୍ରଜାଲ

ଜଗହିତ କାରୀ, ବର୍ଷନ୍ତ ବାରି ।।୨।।

 

କୁସୁମ ସୁହାସେ ହେ ଚିରସୁନ୍ଦର !

ଶିଶିରେ ବିକାଶ ତୁମ ପ୍ରେମ ଧାର

ନିଶୀଥିନୀ ବନ୍ଦେ ଶାନ୍ତି-ଆଧାର

ଭକତ ରଟେ ତୁମେ ନୟନ ବିହାରି ।।୩।।

 

ପାପୀର ଜ୍ଞାନେ ତୁମେ ହେ ପ୍ରଚଣ୍ଡ

ଅନୁତାପୀ ଜାଣେ ତୁମେ ନ୍ୟାୟ-ଦଣ୍ଡ

ଶିଶୁଲାଗି ନିତ୍ୟ କଲ୍ୟାଣ ଭାଣ୍ଡ

ଜନନୀର ବକ୍ଷେ ଅମୃତ ଢାଳି ।।୪।।

–୦–

 

ଘେନ ଚନ୍ଦନ ଫୁଲ ଗୋ

ରସିଆ ଗିରିଧାରୀ,

ପଖାଳି ଆଣିଛି ବନ୍ଧୁ ଢାଳି ଆଖି ବାରି ।।୦।।

 

ନାଗର ହେ ବନଚାରୀ

ଗୋପ ଗୋଇ ମନହାରୀ

ଶିରୀ ହେରି ରତି ମରେ ଝୁରି ।୧

 

ସୁନ୍ଦର ହେ ଘନ ଶ୍ୟାମ

କାମ ଜିଣା କମ ଠାମ

ଘର ତେଜି ଧନୀ ହେଲା ଘାରି ।୨।

 

ମୋହନ ହେ ଦିନରାତି

ଚାହିଁ ଚାହିଁ ପଥ ନିତି

ଆଖି ପାଣି ଯାଏ ମରି ମରି ।୩

–୦–

 

ନୀଳ ମାଧବ,

ତୁମେ ପରା ଜଗତ ନାଥ !

ମୋ କଥା ଶୁଣି ଶ୍ରୀମୁଖ ଲାଜେ ନ ପୋତ ।।

 

ଜଗତେ କହନ୍ତି ତୁମେ ଦୟା-ସାଗର

ଅନୁଭବେ ବାରି ନାହିଁ ଦିନେ ମାତର,

ଫଳିଛି ବିପରୀତ

ଭଳି ଯେ ଦିଏ ଚିତ୍ତ

କାଢ଼ି ତ ନେଇଛ ତା ବାଢ଼ିଲା ଭାତ ।୧।

 

ମନେ ପଡ଼ୁଛି କି ନାହିଁ ଗୋପରେ ଥରେ

ରାଧାକୁ ବସାଇ ଥିଲ ବ୍ରଜ-ପଥରେ

ତୁମ ପ୍ରେମରେ ଭୁଲି

ମତି ଢାଳିଲା ବୋଲି,

ଝୁରି ମଲା ସେ ସିନା ନୁହେଁ କି ସତ ।୨।

 

କାହାର କି କରିଛ ହେ ବିନା ସେବାରେ

କିଏ ଅବା କିଣିଥିବ ଦେବା ନେବାରେ

ଦିନେ ଯେ ଡାକି ନାହିଁ

ତାରିଛ ତାକୁ କାହିଁ

କହିଲ ରଖି ନିଜ ଛାତିରେ ହାତ ।୩।

–୦–

 

ମାଧବ ମନ ମୋହନ

ଛଇଳ ନାଗର କହ୍ନା ଚନ୍ଦ୍ରବଦନ ।।୦।।

 

ସଜଳ ଜଳଦରୁଚି,

ଶ୍ୟାମ ତ୍ରିଭଙ୍ଗ ମୂରତି

ନଟବର ପୀତପଟ            ନନ୍ଦ ନନ୍ଦନ ।୧।

 

ଗୋପିନୀ ପୀରତି-ଭୃଙ୍ଗ

ନିନ୍ଦିତ କୋଟି ଅନଙ୍ଗ

ଶ୍ରୀମତୀ ମତି-ମୋହନ, ଜୀବନ-ଜୀବନ ।୨।

 

ଅଗତି ଗତି କାରଣ

ଅନାଦି ହେ ନାରାୟଣ

ଅନ୍ତିମେ ଚରଣେ ଦୀନ ମାଗେ ଶରଣ ।୩।

–୦–

 

କୋଟି ଚନ୍ଦ୍ର ଖେଳେ

ବଦନ କମଳେ

କୋଟି କାମ ଶିରୀ ହାରେ

 

ବିକଚ ଶତଦଳ

ବିମଳ ଝଲମଲ

ରତି ଉମା ଲାଜେ ନିହାର ।।

 

ସରସ ନଳୀନ ଦଳ-ନୟନେ କି ଢଳଢଳ

କୁନ୍ତଳ କୁସୁମ ଶୋଭା ରେ,

ଅଳିକୁଳ ଆକୁଳ-ଆନନ ପରିମଳ

ଚୁମ୍ବନ ଲୋଭ ବିଭୋରେ,

ଚନ୍ଦନ ବିନ୍ଦୁ ବିରାଜିତ ଭାଲେ କି

ଶଶଧର ରୋହିଣୀ ତୁଲେ ? ।୧।

 

ଶ୍ୟାମଳ ଜଳଧର-ନିନ୍ଦନ-ବପୁ-ଧର

ତ୍ରିଭଙ୍ଗ ଭଙ୍ଗି ଉଭା ରେ,

ରାଇ-ମଗନ ମନ-ଘନ ଘନ କମ୍ପନ

ତ୍ରିଭୁବନ ଜୀବନ ଲୋଭା ରେ,

ବୃନ୍ଦାବନ ବନ ମଣ୍ଡନ ମୋହନ

ମୁରଲୀ ନିନଦ ମନ ଘାରେ ।୨।

–୦–

 

ଶଙ୍କର !

ଭାଲଚନ୍ଦ୍ର ଗିରିବାସୀ !

ଶିବାନାମ ଭବ ଦୁଃଖ ବିନାଶନ,

ଗିରିଜା ମୋଦ-ବିକାଶୀ ।।୦।।

 

ଜଟା ମୁକୁଟ ପର ସୁରଧୂନୀ ସାଜେ

କୁଟ ନାଗର ବିଷ-ପାୟୀ

ଯୋଗୀ ଜନ ମନ-କନ୍ଦର ଶୋଭନ

କୋଟି ତପନ ପରକାଶି ।୧।

 

ତ୍ୟାଗ-ରାଜ ନଟ-ତାଣ୍ଡବ ପ୍ରେମିକ

ଡମ୍ବରୁ ସଘନ ବଜାଇ

ଭୂତ ସଙ୍ଗେ କର ରଙ୍ଗ ଦିଗମ୍ବର

କାନ୍ତି କାମ-ଗର ନାଶୀ ।୨।

–୦–

 

ନବ ଜଳଧର ବରନ ସୁନ୍ଦର,

ଶ୍ୟାମ ବନ-ବିହାରୀ

ମନ୍ଦ ମଧୁର ମୂରଲୀ ସ୍ୱନେ

ଗୋପିନୀ ମନୋହରୀ ।।୦।।

 

ସତତ ଭକତ ସଂକଟ-ହର

ବ୍ରଜ ଚନ୍ଦନ ହେ ଗିରିଧର,

ପୀତାମ୍ବର            ଧନୀ ମନ ଚୋର

କୁଞ୍ଜ ଭବନ-ଚାରୀ ।୧।

 

କାମିନୀ ଜନ ମନ ମୋହନ

ଦାମିନୀଜିତ ଛଟକ ନୟନ,

ପଦପଙ୍କଜେ            କମଳିନୀ ଲାଜେ

ମରଇ ନିତି ଜୁହାରି ।୨।

–୦–

 

ନାରାୟଣ, ନାରାୟଣ

ନାରାୟଣ ଭଜ ମନ

ନାରାୟଣ ଭଜ ।

କଞ୍ଜଚରଣ ଗରୁଡ଼ାସନ

ଅଙ୍ଗେ ଝଲକେ ପୀତ ବସନ

ଚନ୍ଦ୍ର ବିଜିତ ଚାରୁବଦନ,

ମ ସ୍ମରଣ ମୋକ୍ଷ ଧାମ ।୧।

 

ଶଙ୍ଖ ଚକ୍ର ତେଜି

ଦେବ ! ସାରଥୀ ରୂପ ସାଜି

ଶ୍ରୀକରେ ଶୋଭେ ରଜ୍ଜୁ ଦଣ୍ଡ

ମାୟାଧର ଭକତ ଜୀବନ ।୨।

 

ଗୋବର୍ଦ୍ଧନ ଧାରୀ

ଚରଣ ତଳେ ଜୁହାରି

ମାଗେ ଶରଣ ରଖ ମୁରାରି !

ନଧର-ଅଧର ମୂରଲୀ-ବଦନ ।୩।

–୦–

 

ଚକା ନୟନକୁ ଚାହିଁ ଗରିବ ଜଣେ

ଥକ୍‌କା ହୋଇ ଡକା ପାରି ଗୁହାରି ଭଣେ ।।୦।।

 

ଦୀନବନ୍ଧୁ ନାମ ହରି ବହିଛ ମିଛେ

ମୋପରି ଗରିବ ପରା ଧାଇଁଛି ପଛେ

ମୋତେ ଯେବେ ହେ ହରି,

ଦେବଟି ପାରି କରି

ଚରଣ ତଳେ ଦେବ !

ଏ ପାପୀ ଠାବ ହେବ

ଜଗବନ୍ଧୁ ହେ !      ଜଗବନ୍ଧୁ ହେ !

ଗଣିବି ତେବେ ମୁଁ ସିନା ଖାଉଁଦ ପଣେ ।୧।

 

ମୋପରି ପତିତ ଜଣେ ଅଛି ଜଗତେ

ଜାଣି ନଥିଲ ବୋଲି ମୁଁ ମଣୁଛି ଚିତ୍ତେ

ଲେଖିଛ ଯାହା ଥରେ

ଏ ମୋର ଫଟା ଭାଲେ

ଆଉ କାଟିବା ପାଇଁ

ଶକତି ଯେବେ ନାହିଁ

ଜଗବନ୍ଧୁ ହେ !      ଜଗବନ୍ଧୁ ହେ !

ଚକ୍ରଧର ବୋଲି ମିଛେ ଜଗତ ଭଣେ ।

–୦–

 

ନବୀନ ନୀଳ ଘନ, ନୀଳ ମାଧବ ଛଇ ହେ,

ଲୁଚିଯିବ ରବି ଛବିକି ଚାହିଁ ।୦।

 

ନୀଳ କନ୍ଦରରେ ବିଜୟ ମଣିମା

ପତିତ-ପାବନ ବାନା ଉଡ଼ାଇ,

ପତିତ ଜନର ଗତି ତ ସତତ

ମହତ ରଖ ତ ମୋର ଗୋସାଇଁ

ମୁଁ ଚରଣ ଛୁଇଁ

ସତ ଭଣଇଁ

ମୋ ସରି ପତିତ ଜଗତେ ନାହିଁ

(କହ) ତାରିବ କି ଥିବ ମୁଖ ଲୁଚାଇ ।୧।

 

ଭ୍ରମରେ ଦିନେ ମୁଁ ନାମ ଜପି ନାହିଁ

ଆଣ୍ଟ ଶୁଣ ମୋର ଜଗତ ସାଇଁ !

ଲୋକେ କହୁଛନ୍ତି ପତିତ-ପାବନ

ପରଖି ଦେଖିବି ସତ କି ନାହିଁ

ମୁଁ ଡରି ତ ନାହିଁ

ଦେଖିବି ଯାଇଁ

ପାପୀ ପଣେ ଅଛି ବାନା ଉଡ଼ାଇ

ରଖିଅଛ କାହିଁ ଠାବ ମୋ ପାଇଁ ।୨।

–୦–

 

ନାରାୟଣ, ରଖ ହେ ଶରଣ

କଞ୍ଜଦଳ ବିଳାସୀ

ମୋଲାଗି ବଧୀର ହେଲ କି ଏଥର

ବଇକୁଣ୍ଠ ପୁର ବାସୀ ।।

 

ଝରେ ପରା ପଦୁଁ କରୁଣା ସରିତ

ମୋଲାଗି ହେଲା ସେ ଶୁଖିଲା ସରିତ

ଶକତି ନାହିଁ କି ମୁକତି ଦେବାକୁ

ଅପରାଧ ମୋର ନାଶି ।

 

ଯାତନାର ସତେ ନାହିଁ କି ହେ ଅନ୍ତ

ତୁମ ମାୟା ଅଗୋଚର ତ ଅନନ୍ତ !

ମାର ଅବ ତାର, ସଦା ମନ ମୋର,

ଯୁଗଳ ପଦ ପିଆସୀ ।

–୦–

 

ସପନ ଛଳନା ଯଦି କୁହୁକର ଯାଦୁକରି

ଚେତନା କାହିଁକି ଦେଲୁ ଚେତାଇ କହ ଶଙ୍କରୀ ।।୦।।

 

କୁହୁକର ମାୟା-କର ପରଶିଲେ ମନ ମୋର

କି ଗରବେ ମାଆ ନାମ ଧରିଛୁ କହ ଗଉରୀ ।

 

ଦୁଃଖ ଯଦି କର୍ମଫଳ-ଦୋଷ ଯେବେ କପାଳର

ସୁଖ ଯାହା ଆସେ କେବେ, ସେ କି ମା ତୋ ବାହାଦୂରୀ ?

 

ପାଷାଣୀ, ପାଷାଣ ଜେମା, -ହୃଦୟ ନାହିଁ ତୋ ଜମା

ମାଆ ଛାତି କାହିଁତୋର-କାହିଁ ତୋ ନୟନେ ବାରି ?

 

ଶିବେ ସର୍ବାର୍ଥ ସାଧିକେ-ତୋତେ ଯା କହନ୍ତି ଲୋକେ

କବିଶଶୀ କହେ ଉମା, ମିଛେ ସିନା ଡରି ମରି ।

–୦–

 

ନବ ସୁନ୍ଦର ଚନ୍ଦନ ଗନ୍ଧ ଭରା

ତବ ଅଞ୍ଜନ ଗଞ୍ଜନ ଅଙ୍ଗ ପରା ?

କାନନ କାମିନୀ କୁଞ୍ଜତଳେ-

ରାଈବିନୋଦିନୀ ମାନହରା

କଞ୍ଜ ଚରଣେ ତବ ନୂପୁର ଭରି

କେ ଶିଖାଏ ମଧୁର ଚାଲି

ବନ୍ଧୁ ! ନିତି ମୋର ସପନେ ଗୋ,

ଆସ ଥରେ ଥରେ ସତେ ମନଚୋରା ।୧।

 

ଚେତି ଚାହେଁ କେହି ନାହିଁ ନାହିଁ

ପାହେ ନିଶୀଥିନୀ ଚାହିଁ ଚାହିଁ

କୋଇଲି କଣ୍ଠେ ସେ ସୁର ଫୁଟେ

ମୁଁ ଯେ ଝୁରି ମରେ ଦିନ ରାତି ସାରା ।୨।

–୦–

 

ଭରସା କାହିଁକି କଲି ତୋତେ

ମୋ ଭାଲେ ଯଦି ଗୋ ଲେଖା ଦୁନିଆଁ ଜଞ୍ଜାଳ ଯେତେ ।।୦।।

 

ମୋ ପରି କୁପୁତ୍ର କେତେ

ନାହାନ୍ତି କି ଏ ଜଗତେ

ଘୋଡ଼ାଇ ନରଖେ କି ଗୋ,

ଜନନୀ କହ ପଣତେ ।୧।

 

ସହିବାକୁ ଅପବାଦ

ମନେ ଯେବେ ଏତେ ସାଧ

ଋଷିବୁ କାହିଁକି ଶ୍ୟାମା

କୁମାତା କହିଲେ ସତେ ।୨।

 

ଯେବେ ମୋ କରମ ହୀନ

ନ ପାରିବୁ କରି ଆନ

ଶକ୍ତିମୟୀ ନାମେ ସିନା

କଳଙ୍କ ହେବ ଜଗତେ ।୩।

 

ଦୟା ଯେବେ ଗଲୁ ଭୁଲି

ପାଷାଣ ତନୁଜା ବୋଲି

କବିଚନ୍ଦ୍ର କହେ ମା ଗୋ,

ଦଳିଦେ ଚରଣ ପ୍ରାନ୍ତେ ।୪।

–୦–

 

ଋଷିଛୁ କି ମାଆ ଶଙ୍କରୀ

ଋଷାଇଲା କେ କି କରି ? ।।୦।।

 

ଫିଟିଛି ପ୍ରଳମ୍ବ କେଶ, ଅଯତନ ବେଶ ବାସ

ଜବା ତେଜି ଆଜି ଏ କି, ଗଳେ ତୋର ମୁଣ୍ଡ ମାଳି ?

 

ବଦନେ କାଳିମା ଛାଇ, କାହିଁ ସେ ସରସ ନାହିଁ

ଚିହ୍ନିତ ନହୁଏ ଆଉ, ତୁହି ମା ଗଉରୀ ବୋଲି ।୨।

 

ଡର ଲାଗେ ହେରି ତୋତେ, ବରାଭୟ ତେଜି ସତେ

ଏ କି ମା ପ୍ରଳୟ ଖେଳେ, ମାତିଛୁ ଗୋ ଦିଗମ୍ବରୀ ।୩।

 

ଭୋଳା ହର ଗଙ୍ଗା ତୁଲେ, ମାତି କି ଏ ଦୁଃଖ ଦେଲେ

ଅନାଁ ମା ଚରଣ ତଳେ, ଆଣିଛି ମୁଁ ଶିବେ ଧରି ।୪।

–୦–

 

ଶ୍ୟାମ ସୁନ୍ଦର ଗିରିଧାରୀ

ଯମୁନା ତଟ ବନଚାରୀ ।୦।

ରାଈ ଚିତ୍ତଚୋରା

ପୀରତି ବିଭୋରା

ଝୁରି ମରେ ବରଜ-କିଶୋରୀ ।୧।

 

ସତୀ ଧୃତି-ହାରୀ

କୁଞ୍ଜ ବିହାରୀ

ନିତି ଘନ ମୂରଲୀ ଫୁକାରି ।୨।

 

ନବଘନ ଶ୍ୟାମ

ବଙ୍କିମ ଠାମ

ଶିରୀ ହେରି ମରେ ବ୍ରଜ ନାରୀ ।୩।

 

ଅଲକତ ରଞ୍ଜିତ

ନୂପୁର ଶୋଭିତ

ଚରଣ ଶରଣ ହେ ମୁରାରି ।୦।

–୦–

 

ମନମୋହନ ହେ ମନ ଚୋର ।୦।

ତୁମରିଲାଗି            ମରେଁ ଜାଗରେ ଜଗି

(ନିତି) ଘର ତଆଗି, ଝୁରେଁ ମୁଁ ଯେ ଅଭାଗୀ

ଶଶୀ ନିଶି ହୁଏ ସିନା ଭୋର,

ଆଶାରେ ଆଶାରେ କେତେ

ବାଲିବନ୍ଧ ଦିଏଁ ସତେ

ଭସାଇ ଦିଏ ମୋ ଆଖି ନୀର ।୧।

 

ଆସିବ, ଆସୁଚ, କହେ-କୋଇଲି ଡାକୁଆ ଗୋ,

ସପନ ମୋ ଆଙ୍କେ ଛବି ନୂଆ

ବାଉଳା ପବନ ଧାଇଁ, ଆଗମନ ପଥ ଗୋ,

ଝାଡ଼ିଦିଏ ଆଗୁଆ ଆଗୁଆ,

ଅନାଏଁ ଗୋ ବଣ ମଲ୍ଲୀ

ଅଭିମାନେ ଫୁଲି ଫୁଲି

ଅଧା ରହେ କଜ୍ଜଳର ଗାର

ପଥ ଚାହିଁ ଆବେଶେ ବିଭୋର,

କେତେ ନୀର ଆଉ ସତେ ସାଇତିବ କାହିଁ ଗୋ,

ଦିଅ ମୋତେ ହେବ ପରା ଭାର

ତୁମ ଲାଗି ଥାଉ ବନ୍ଧୁ, ଦୁନିଆଁର ହସ ଗୋ,

କାନ୍ଦ ଥାଉ ଚିର ସାଥି ମୋର ।୨।

–୦–

 

ଘନଶ୍ୟାମ, ଶୁଣ ମୋର ମିନତି ।।୦।।

ନୁହେଁ ମୁଁ ତୁମରି ସାଧକ ସାଧିକା

ନୁହେଁ ମୁଁ ତୁମରି ବରଜ ରାଧିକା

ନାହିଁ ମୋର ପ୍ରେମ, ନଟବର ଠାମ

(ନିତି) ଜଳି ମରିବାକୁ ରାଈ ସମ

ମୋର ଲୋଡ଼ା ନାହିଁ ତୁମ ପୀରତି ।୧।

 

ମଣେ ଯେ ତୁମକୁ ତାର ଆପଣାର

ଜାଣେ ମୁଁ ତାହାରି ଗଳେ ଦିଅ ଖୁର

ମନ ଚୋର କରି, ରହ ଦୂରେ ହରି

(ତାର) ସାର ସିନା ଝୁରି ମରିବାର

ତୁମ ଛଳରୁ କେ ପାରେ ବରତି ।୨।

 

ଦିନ ରାତି ଯା ମୂରଲୀ ଶୁଣାଇଲ

ପଦପଦକେ ପ୍ରମାଦ ଗଣାଇଁଲ

ଗୁମରି ମରିଛି, ଛାତି ଚମକିଛି

ଝରିଛି ଧନୀର (କେତେ) ନୀର ଧାର

ଜଣା କଥା ତ ନୁହଇ ଭୁଲିବାର

ଜୁହାରି ଜଣାଏଁ ବାର ବାର

ଘନଶ୍ୟାମ, ଏତେ ଘେନାକର

(ମୋତେ) ଜଣାଅଛି ପ୍ରେମ କାରବାର

ତୁମେ ଦୂରେ ଥାଅ, ଦୂରେ ରହି ଥାଏଁ

ମୋର ଛାଡ଼ି ଯାଇଛି ତ ଭକତି ।୩।

–୦–

 

ମନ, କାହୁଁ ଆସିଛୁ ଯିବୁ କାହିଁ ରେ

ଏ ଜୀବ ତୋର ଧୂପଛାଇ ରେ ।।୦।।

 

ଚିତା ଚଇତନ କେହି ସାଥି ହେବେ ନାହିଁ ରେ

ତୋ ବାଟେ ତୁ ଯିବୁ ଥିବେ ସାଇ ଭାଇ ଚାହିଁରେ;

ଗଛ ପଡ଼ିଲେ ଢଳି-ହଂସ ତ ଯିବ ଉଡ଼ି

ଶାଖା ପତର କଢ଼ୀ-ବଳେ ପଡ଼ିବେ ଝଡ଼ି

ଭାଙ୍ଗିଯିବ ଚାତର ଛଇରେ ।୧।

 

ଆଗମ ନିଗମ ତୋର ଅଠିକଣା ଦେହି ରେ

କୁଆଁର ପୂନେଇଁ ଜହ୍ନ ସକାଳେ ନଥାଇ ରେ,

ଏ ସାର ତନୁ ତୋର-ନୁହଇ ଦିକଡ଼ାର

ବୋଲୁ ଯା ମୋର ମୋର-ସେ ହେବେ ସାତ ପର

କେହି ନଦେବେ ଆଡ଼େ ଚାହିଁରେ ।୨।

 

ସଜ ହୋଇ ରହ ମନ ବାଟ ବଧା ପାଇଁରେ

ଏତିକି ବେଳରୁ ରଖ ପୁଟୁଳି ସଜାଇ ରେ,

ଅଜଣା ଯାହା ଯିବ

ସାଥିକି ସାହା ହେବ,

ବାକି ଯା ରହିଥିବ

ସେ ସବୁ ଚୋର ନେବ

ବିଚାରି ଥାଅ ମନ ବାଇ ରେ ।୩।

–୦–

 

ବରଜ ନାଗରୀ ମୋହନ, ଘନଶ୍ୟାମ ହେ !

ନବନୀତ ଚୋର ହରି      -      ଅଧରେ ମୂରଲୀ ଧରି

ରଟୁଥାଅ ରାଧା ରାଧା ନାମ ।୧।

ନଟ ପଟଳୀ ମୁକୁଟ            -      ବ୍ରଜବନ୍ଧୁ ଧୀଟ-ରାଟ

ନିପଟ କପଟ କମଠାମ ।୨।

ଚାରୁ ଚନ୍ଦ୍ରକ ଚୂଳିଆ            -      ଚୋର ଯମୁନା କୂଳିଆ

ରୂପ ଜିଣେ ସତେ କୋଟି କାମ ।୩।

ଶବରୀ ଅଇଁଠାଖିଆ      -      ଗୋପୀ ମନ, ମାନ-ନିଆ

ରାଈ ଭଜେ ତବ ବିନେ ଝାମ ।୪।

କବିଶଶୀ ଶେଷ କାଳେ      -      ଶରଣ ଚରଣ ତଳେ

ଜୁହାରି ମାଗୁଛି ଗୁଣ-ଧାମ ।୫।

–୦–

 

ଚିର ସୁନ୍ଦର ହେ ଚିତ୍ତ ଚୋର !

ତୁମରି ଆଶରେ, ମନ-ମାନ-ସରେ

ନିତି ଫୁଟେ ଶତ ଶତଦଳ ।।

 

ଆଶାରେ ଆଶାରେ ଦିନ ରାତି

ନିତି ଆସେ ନିତି ଯାଏ ବିତି

କେତେ ବନାଇବି ଲୁହାରେ ଛାତିକି

କାହାରେ କହିବି ଦୁଃଖ ମୋର ।୧।

 

ବସନ୍ତ ଆସିଲା ଗଲା ଚାଲି

ଖରା ମୋ ଆଖିରେ ଦେଲା ବାଲି

ବରଷାରେ ଘନ ଚମକି ବିଜୁଳି

ଛାଇ ଦେଲା ଖାଲି ଅମା ଘୋର ।୨।

 

କମଳ ଆସନ ଆଖି ନୀରେ

ଧୋଇ ସଜାଡ଼ିଛି ବାରେ ବାରେ

କେତେ ଫୁଲ ଶେଯ ନିତି ବିଛାଇଲି

ସବୁ ହେଲା ସିନା ନାରଖାର ।୩।

 

କି ଦେଲେ ଆସିବ କହ ହେଲେ

ଜୀବ ଦେବି ମୋର ଲୋଡ଼ା ଥିଲେ

ଚରଣ ତଳରେ ଫୁଲ ପାଖୁଡ଼ାଏ

ଭେଟିବ ଏତିକି ମାଗିବାର ।୪।

–୦–

 

ନମୋ, ନମୋ ଜନନୀ

ଇନ୍ଦୁ ବିଜିତ ବରନୀ ।।୦।।

 

ଭାବନ ଫଳ ପ୍ରଦାୟିନୀ

ଭକ୍ତ ମୋଦ ସଂଦାୟିନୀ

ଶ୍ୱେତ କମଳ ବନ ବାସିନୀ

ଚରଣେ ପ୍ରଣମେ ଜନନୀ ।

 

କୁନ୍ଦ କୁସୁମ ଦର ହାସିନୀ

ମୋହ ତିମିର ଦର ନାଶିନୀ

ଜ୍ଞାନ ମୟୁଖ ତାର କାଶିନୀ

ଚରଣେ ପ୍ରଣମେ ଜନନୀ ।

–୦–

 

ଶିରୀରାମ ହେ, ଶିରୀରାମ ହେ, ଶିରୀରାମ ହେ, ଶିରୀରାମ ହେ

ଜଗଜନ ମନମୋହନ ରାମ ହେ ।।୦।।

 

ଶୁଭ ନବ-ଜଳଦ-ନିଭ      ଶ୍ୟାମ ରୂଚି, କମ କାନ୍ତଛବି

ଅଭିରାମ ହେ ।

ସ୍ଫୁଟ କମଳ ଦଳ ବିଦଳିତ ପଦଯୁଗଳ କାମଜିତ

ବରଠାମ ହେ ।୧।

 

ଆଜାନୁକର ବର-ଚାପ-      ଧର ଜିତ-ଶମନ ଦର

ତବ ନାମ ହେ ।

ରଘୁ ବଂଶ ନିଧି ଦଶବଦନ ବଧି ପଦ ଶରଣ

ମୋକ୍ଷର ଧାମ ହେ ।୨।

 

କରି ସେତୁ ବନ୍ଧନ, ରଚି      ଘୋର ରଣ, ରଖିଲ

ଜାନକୀ ମାନ ହେ ।

ଉଦ୍ଧାର କର ଭବ ତାପ ହର, ଘେନ ପ୍ରଣତି ନତି

ଗୁଣ ଧାମ ହେ ।୩।

–୦–

 

ମନ ନାଆ ମଙ୍ଗଟି ଟାଣ କରିଥା

ଅମାନିଆଁ ପବନରେ ସରିଯିବ ପାଲକଥା ।।୦।।

 

ଏ ଭବ ଘୋର ନଈ            ଥଳ କୂଳ ତା ନାହିଁ

ଅତଡ଼ା ଖାଇ ଖାଇ            ଖଣ୍ଡି ତ ଯାଏ ଧୋଇ

କାହିଁ ଗାଡ଼ିବୁ କିଳା ଭାବିଥା ।୧।

 

ବହିବ ଅଣଚାଶ            ଉଡ଼ି ଯିବ ତୋ ବାସ

କେହି ନଥିବେ ପାଶ      ମଙ୍ଗୁଆଳ ତୋ ଆଶ

ଠକି ଦେବଟି ତାକୁ ଜଗିଥା ।୨।

 

ମୁଠାକୁ ଟାଣ କର            କାତ ଜାବୁଡ଼ି ଧର

ଅଜଣା ବାଲୁଚର            ବାଟ ଭଗାରି ତୋର

ଆଖି ମେଲାଇ ପଥ ଚାଲିଥା ।୩।

 

ଉତ୍ତର କୋଣ ମାଡ଼ି            ମେଘ ମାରୁଛି ଧାଡ଼ି

ବିଜୁଳି ଘଡ଼ଘଡ଼ି            ପାଣି ଦେବ କଚାଡ଼ି

ଦଦରା ନାଆଟି ସମ୍ଭାଳିଥା ।୪।

 

ପାଖରେ ଦେଖୁ ଯାହା      କେହି ନୋହିବେ ସାହା

ଏ ଛାର ଦୁଇବାହା            କହିବେ ଖାଲି ଆହା

ଚଉବାହାକୁ ଅନୁସରିଥା ।୫।

–୦–

 

ଚିର ସୁନ୍ଦର ହେ, ପ୍ରିୟ ମୋର

ଦର ହସି ଆସ ଥରେ ମନ-ଚୋର ।।୦।।

 

କି ବୋଲି ଡାକେ ସେ ବରଜ ରାଧିକା

କି କରି ହେଲା ସେ ଚରଣ ସେବିକା

ଶିଖାଇ ଦିଅ ସେ ମୋହନ ମନ୍ତର

ଜାଗିବି ମୁଁ ରାତି ଭୋର ।

 

ଯମୁନା କୂଳରେ ମୟୂର ଚୂଳିଆ

ଝୁରି ଝୁରି ହେଲ ପ୍ରେମ ଆକୁଳିଆ

କହ କି ଛନ୍ଦରେ, ବନ୍ଧା ପଡ଼ିଥିଲ

କି ଜାତି ପୀରତି ଡୋର ।

 

ଜୁହାରୁଛି ତୋରେ ବନ୍ଧୁଆ ରତନ

ମନ କୁଞ୍ଜେ ମୋର ଆସ ଜୀବଧନ

ସାଇତି ରଖିବି କରି ମୁଁ ଯତନ

ଚରଣ ଧୂଳିକି ତୋର ।

–୦–

 

ଆସ ବନ୍ଧୁ,      ଆସ ପ୍ରିୟ !

ଆଖି ନୀରେ ଧୋଇ      ସାଇତି ରଖିଛି

ଫୁଲ ହାର ମୋର ନିଅ ।।୦।।

 

ମୁକୁଳା ରଖିଛି      ଠାକୁର ଘର ଗୋ

ଆସ ଗୋ ଦେବତା ଆସ,

ଆଶାରେ ଆଶାରେ            ବିତି ଯାଏ ବେଳା

ନ ଦିଅ ଆଉ ପରାସ

ବନ୍ଧୁ ମୋର-ଚିତ୍ତ ଚୋର

(ଥରେ) ଚରଣ ପରଶ ଦିଅ ।୧।

 

ଏଇ ତ ଆକାଶେ            ବଜ୍ର ବିଜୁଳି

ଏଇ ତ ଚକୋର ଚନ୍ଦ୍ର,

ସୁନୀଳ ଫେନିଳ            ଲହରୀ ମିଳନେ

ସାଗର ଗରଜେ ମନ୍ଦ୍ର

ମଧୁମାସେ      ଫୁଲ ବାସେ

ଥରେ ଅଧରେ ମୂରଲୀ ଛୁଅଁ ।୨।

–୦–

 

ମନ ରେ ! ଯିବାକୁ ତୋ ଜନମଟା ପରା

ଯିବୁ ନାହିଁ କହିଲେ ତୁ      କିଏ ଶୁଣିବ ରେ ଧନ,

(ଏ) ଜିଗର ତୋ ତୁଛା ପାଣି ଚିରା ରେ ।।୦।।

 

ଆସିଛୁ କରାର କରି            ଡାକିଲେ ଯିବୁ ବାହାରି

କଟାଳ କାହିଁକି ଆଉ ତୋର

ଫୁଟିଲା ଝଡ଼ିଲା ବେଳ      କିଏ ରଖୁଛି ଖବର

ମଝିକାଳ କଥା ଟିକ ସାର

କାହାର କି କଲୁ ମନ      ହେଜ ତୁ ବାଉଳା ରେ

ସେତିକି ତୋ ସାଇତା ପଶରାରେ

ସାଥିକି ତୋ ସେହି ଏକା ଭେଳା ।୧।

 

ପଲଙ୍କ ସୁପାତି            ଏ ତୋ ଧନ ଦଉଲତ

କାଲିକି ଆସି ମାଲିକ      ହେବେ କେତେ ଭୂତ

ଜହ୍ନୀ ଫୁଲ ସଞ୍ଜେ ଫୁଟି      ସକାଳେ ଝାଉଁଳେରେ

ଆସିଚୁ ତୁ ଯିବୁ ଏ ତ ସାରା ।୨।

 

ସକାଳ ସୂରୁଯ ଆସି            ବାହୁଡ଼େ ସଞ୍ଜରେ

ବସନ୍ତ ବରଷା ଆସି                  ଲୁଚଇ ଖଞ୍ଜରେ

ଆସେ ଯାଏ ଚକ ଘୂରେ      ଖରା ପରେ ତରା ରେ

ଚଲା ବାଟ ଦୁନିଆଁଟା ସାରା ।୩।

–୦–

 

ପରକୁ ଆପଣା କରି      ମରେ ଫୁଲ ସୁକୁମାରୀ

ମହୁ ଲୁଟେ ମଦୁଆ ଭଅଁର

ଚୋରା ମଳୟ ପବନ      ଦେଖାଏ ତା ବଡ଼ପଣ

ବାସଟିକ ଲୁଟି ନେଇ ତାର

ପେଟ ଚିରି ପଶେ ପୁଣି ଡୋର

ମରି ସେଇ ଫୁଲ ହେଲା      ଦିଅଁ ଗଳା ମାଳା ରେ

ନେଇ ନାହିଁ, ଦେଇ ଜୀବ ଗଲା

(ତାର) ଦିଆ ମୂଲ ଦଇବ ତ ଦେଲା ରେ ।୪।

–୦–

 

ଶେଯ ତେଜ ବନମାଳୀ

ହସିଲେଣି ଅଂଶୁମାଳୀ

ଘେନି କରେ ଅବିର ଥାଳି ।।୦।।

 

ଶୁଭିଲା କୋଇଲି ରୁତ

ଗୁଣୁ ଗାଏ ମଧୁବ୍ରତ

ରସି ହସେ କୁସୁମ ବାଳୀ

ହେବ ସତେ ଅଳି ଗଳାମାଳି ।୧।

 

ସର ଶାକର ଲବଣୀ

ସଜାଡ଼ି ଯଶୋଦା ରାଣୀ

ଡାକି ଡାକି ଗଲେ ଫେରି

ଯେତେ ଗୋପ ନଗର ଗୁଆଳୀ ।୨।

 

ଦାମ ସୁଦାମ ସୁବଳ

ତୋ ସଖା ମଧୂ ମଙ୍ଗଳ

କଲେଣି ଦୁଆରେ ଅଳି

ଉଠ ଉଠ ବେଳା ଗଲା ବଳି ।୩।

–୦–

 

ଭଜ ରେ ମନ, ସଜ ସରସୀଜ ଚରଣ

ଗଜ ନିସ୍ତାରଣଭୁଜ, ବ୍ରଜ ସୁନ୍ଦର ମୋହନ ।୦।

 

ଲାଜ ରଖା ଦ୍ରୌପଦୀର

ହେଜ ରେ ମନ ପାମର

ସଜ ହେଲେ ସାରଥିର ସାଜ ପିନ୍ଧ ପୀତାମ୍ବର

ଆଜନମ ପାପ ଦହନ ।୧।

 

ଗୁଞ୍ଜ ମାଳିଆ ନାଗର

କୁଞ୍ଜ ବନ ପ୍ରୀତି ଚୋର

ଖଞ୍ଜ ନୟନୀ ରାଧାର-ଗଞ୍ଜ ଗରବ, ଚତୁର

ଅଞ୍ଜନ ନିନ୍ଦନ ବରନ ।୨।

–୦–

 

ବିଘ୍ନନାଶନ, ହେ ଗଜାନନ

ଗଉରୀ ସୁତ ଜଗବନ୍ଦନ

ମୂଷିକବାହନ, ଦୁରିତଧ୍ୱଂସନ

ଗଣପତି ପ୍ରଣତି ଘେନ ।୦।

 

ଭାଲେ ଶୋଭିତ ଚାରୁ ଚନ୍ଦନ

ପାଶ ଅଙ୍କୁଶ ଧାରଣ

କର ଦୟା ଦୀନେ, ବିଦ୍ୟାବରଧର

ଅନ୍ଧ ଜଡ଼ତା ନିବାରଣ ।୨।

 

ଚରଣରେ ତବ ହୋଇ ନିଉଛାଳି

ଅରପେଁ କୁସୁମର ଅଞ୍ଜଳି

ଘେନ ପୂଜା ମୋର, ଦିଅ ଦେବ ! ବର

ହେ ଗିରି ସୁତା ନନ୍ଦନ ।୨।

–୦–

 

ଯଦି ଏ ଜୀବନେ ଫେରିବେ ଗୋ ସାଥି

ମାଧବୀ ତଳେ,

ସେଇ ଆଗମନ ଆଶାରେ ନିଶିରେ

ପ୍ରଦୀପ ଜାଳେ ।

 

ନୟନେ ସେଦିନ ନୟନ ରଖି ଗୋ

ନିରେଖିବି ବନ୍ଧୁ ରୂପର ଛାଇ

ପାଶୋରି ଥିଲେ ସେ ବିଗତ ଗୀତିକା

ହେଜି ଦେବ ଲତା ପରେ ଗାଇ

ସମୀର କହିବ ସେ ଦିନର କଥା

ତୁନି ତୁନି ପଶି ବନ ଗହଳେ ।୧।

 

ଯେବେ ଗୋ ଆସିବେ ଫେରି

ତେଜି ସେ ମଥୁରା ପୁରୀ

ଦେଖିବେ ସେଦିନ ନବୀନ ଯମୁନା

ଗଢ଼ିଛି ରାଧିକା ନୟନ ଜଳେ ।

–୦–

 

କୋଟି ଶଶୀ-ବିଜିତ ମୁଖ କାନ୍ତି

ଉଦୟେ ତବ ଦୂର ଦୁଃଖ ରାତି,

ବିମଳ ତବ ହାସ ତଳେ            ତପନ ଛବି ଖେଳଇ

ନୟନ ତଳେ ମୂର୍ତ୍ତିମତୀ ଶାନ୍ତି ।୦।

 

ଅମଳ ତବ ଚରଣ ଧୂଳି ଲାଖି

କମଳ ବନେ ଫୁଟିଲା ଶତ ଆଖି

ଭୃଙ୍ଗ ମନ, ଗୁଞ୍ଜି ଘନ            ମତ୍ତ ମଧୁ ଲାଳସେ

ଦିବସ ନିଶି ଭରମେ ନିରିମାଖି

ଯାମିନୀ ଜଗି ଚାହିଁଛି ମୁଁ            ଅତିଥି ତବ ଆଗମେ

କୁଞ୍ଜ ଫୁଲ ଦଳ ତଳପ ପାତି ।୧।

 

ମଳୟେ ତବ ଅଙ୍ଗ ଫୁଲ ବାସେ

ତପତ ମନ କ୍ଳାନ୍ତି ନିତି ନାଶେ

ପୂରବ ଘନ ସିନ୍ଦୂରିତ            ଅରୁଣ ମଧୁ ହାସରେ

ବିହଗ ଦଳ କଳକଣ୍ଠେ ଭାଷେ

କର ସରସ ପରଶ ଲଭି            ସପନ ଚେତି ଚାହିଁଲି

ବିଜୟ ମମ କୁଞ୍ଜେ ଚିର ସାଥୀ ।୨।

–୦–

 

ଦେଖା ହେଲେ ସଖା ଏ ନବ ବସନ୍ତ ଦିନେ

ସାଜିବି ତୁମକୁ ଫୁଟା ବଉଳରେ

(ମୋର) ବଡ଼ ସାଧ ଅଛି ମନେ ।

ମଳୟ ପରଶି ଫିଟାଇଛି ମୋର

ମରମ କବାଟ ବେନି

ସଜାଡ଼ି ରଖିଛି ପଞ୍ଚ ପ୍ରଦୀପ

ଧୂପ ଚନ୍ଦନ ଘେନି ।

ପରାଣରୁ ପ୍ରିୟ ମୋର

କଥା ଦିଅ ମନ ଚୋର

ଚରଣ ଧୂଳିରେ ସରସ କରିବ କୁଞ୍ଜ ଭବନ ଦିନେ

ତମରି ପରଶେ ଶତ ତାପ ସିନା ଘୁଞ୍ଚିବ ଏ ଜୀବନେ ।

–୦–

 

ତୁମେ ସତ୍ୟ, ତୁମେ ନିତ୍ୟ, ତୁମେ ହେ ମଙ୍ଗଳମୟ

ଢାଳିଦିଅ ଶିରେ ମୋର ସୁଖ ଦୁଃଖ ଢାଳିଦିଅ ।

 

ତୁମେ ବ୍ରହ୍ମ, ତୁମେ ଶକ୍ତି

ତୁମେ ଭକ୍ତି, ତୁମେ ମୁକ୍ତି

ତୁମେ ହେ ପୁରାଣ ବେଦ ଯୁକ୍ତି ତର୍କ ବରାଭୟ ।୧।

 

ନିଶି ଦିନ ପାଶେ ପାଶେ

ତୁମରି ପ୍ରେମ ବିକାଶେ

ତୁମେ ମୋର, ମୁଁ ତୁମର, ତୁମେ ବିଶ୍ୱର ଆଶ୍ରୟ ।୨।

 

ନାହିଁ ଗତି ତୁମ ବିନା

ଜୀବର କାରଣ ସିନା,

ତୁମ ନାମ ଚିଦାନନ୍ଦ ପରଂବ୍ରହ୍ମ ଜୟ ଜୟ ।୩।

–୦–

 

ଗିରିଧାରୀ-ଗିରିଧାରୀ

ମନମନ୍ଦିର ଉଜ୍ଜଳ କର ଆଗୋ ସୁନ୍ଦର ।

ଚରଣେ ଶରଣ ବ୍ରଜନାରୀ ।୦।

 

କଞ୍ଜ ଚରଣଭରି ନୂପୁର ବାଜେ

ପୀତ ବସନ ବର ଅଙ୍ଗେ ବିରାଜେ

କୁଞ୍ଜଭବନେ ବଜାଅ ମୁରଲୀ

ରାଇ ରାଇ ଫୁକାରି ।୧।

 

କନକ କେୟୂର କୁଣ୍ଡଳଧାରୀ

କାନ୍ତି ମଞ୍ଜୁଳ ନବଘନ-ହାରି

ପ୍ରୀତି ଫୁଲ ଚନ୍ଦନ ଘେନ ବ୍ରଜସୁନ୍ଦରୀ

ବୃନ୍ଦାବନ ବନଚାରୀ ।୨।

–୦–

 

ଜଗବନ୍ଧୁ ଭଲା ନାଟୁଆ

ଭରା ଦରିଆରେ ଲଗାଏ ନିଆଁ ।୦।

 

ପୋକା କନ୍ଦ ଅଚଞ୍ଛା ସାରୁ

ସୁଖେ ଖାଏ ସେ ଦିଅଁ ଦାରୁ

ଭଲା କାରିଗର ବାହାଦୁରି ତାର

ଗୁଡ଼ ଦେଖା ନାଇଁ ବନାଏଁ ମୁଆଁ ।୧।

 

ରାଣ୍ଡୀ ଠାରୁ ଖଣ୍ଡିଙ୍କ ଯାଏ

ଚିତାକଟା ଏଠି ସଭିଏଁ

ମଶା ମୂଷା ମାତା ମାହାରୀ ମହନ୍ତ

ମାଙ୍କଡ଼ ପୋଷା ଏ ଦେଉଳ ଦୁଆ ।୨।

–୦–

 

ମନ ସେପାରି କଥା ଦିନେ ଭାବିଲୁ ନାହିଁ-

ବସିଛୁ ପାରିହେବୁ ଯମୁନା ନଈ ।।୦।।

 

ଦଦରା ନାଆ ଗୋଟି-ମେଘ ଆସୁଛି ଘୋଟି

ଝଞ୍ଜାପବନ ପୁଣି ତା ତୁଲେ ବାଇ ।।୧।।

 

ବହିବ ଅଣଚାଶ-ସରିବ ସବୁ ଆଶ

ସାହା ନୋହିବେ ତୋର ପିଅର ଭାଇ ।।୨।।

 

ଏ ତୋର ଛିଣ୍ଡା ପାଲ-ହାତ ମାରିବ କୋଲ

ବୋଲ ନ ମାନି ନାଆ ଯିବ ଉଭାଇ ।।୩।।

କହି ଦିଅ ମୋତେ            କାନେ କାନେ ବନ୍ଧୁ !

କି ବୋଇଲେ ତୁମେ ଶୁଣ

ଶିଖାଇ ଦିଅ ଗୋ            ଗାଇଲେ କି ରାଗେ

ଫୁଟିବ ତୁମରି ଗୁଣ ।।୦।।

 

କି ତୂଳି ଧରିଲେ            ଲେଖି ମୁଁ ପାରିବି

ତୁମରି ମୋହନ ଛବି-

କି ରସେ କବିତା            ଲେଖିବି, ହେବି ମୁଁ

ତୁମରି ବିରହୀ କବି ।

 

କି ସୁରେ ବାନ୍ଧିବି ବୀଣା-

ହେବ ତୁମ ମନ କିଣା

ତମ କମଛବି ଡୋଳାରେ ନାଚିବ

ମାନିବ ଅବୁଝା ମନ ।

–୦–

 

ଦୀନବନ୍ଧୁ,

ମନେ ମନେ ଭାବେ ମୁହିଁ ।

ବାପ ପୁଅରେ ତ            ଦୁଃଖ ସୁଖ ପଦେ

ଦିନେ ହେଲେ ହେଲେଁ ନାହିଁ ।।୦।।

 

ମଲି ଅବା ଗଲି, କଲି କି ନକଲି

ପଚାରିଲ ତୁମେ କାହିଁ

କେଉଁ ଗୁଣେ ସତେ, କହିବଟି ମୋତେ

ବୋଲାଅ ଜଗତସାଇଁ ।୧।

 

ମୁଁ ଯେବେ ମୋ ଦୁଃଖ, କଳା ଶିରୀମୁଖ !

ନିଜେ ହେଉଥିବି ଗାଇ,

କାହିଁକି କହ ତ, ବସିଛି ପତିତ-

ପାବନ ବାନା ଉଡ଼ାଇ ।୨।

 

ତେବେକେ ଏ ମନ, କରଇ ବୟାନ

ବୁଝି ସେ ଅବୁଝ ହୋଇ

ଦିନ ମୋର ସରି, ଯିବ ସିନା ହରି,

ନ ଦେଖିବ ଥରେ ଚାହିଁ ? ।୩।

 

କାନ୍ଦିଛି କାନ୍ଦୁଛି, ବନ୍ଦିଛି ବନ୍ଦୁଛି,

ରଖୁଛି ଏତିକି କହି

ଯାହା କର ଏବେ, ଜୀବ ଯିବ ଯେବେ,

ଦେବଟି ଚରଣେ ଠାଇଁ ।୪।

–୦–

 

ବଡ଼ ଦେଉଳେ ବଡ଼ ଦିଅଁ କାହିଁ କି ?

ବଡ଼ ବୋଲାଇ ଲାଜ ନାହିଁ କି ? ।।୦।।

 

ବଡ଼ ଦିଅଁ ବଡ଼ ଦିଅଁ            ପଡ଼ିଛି ହୁରି (ହରି ହେ)

ବଡ଼ତି କରିଛ କହ            କାହିଁ କାହାରି

ଧରମ ପାପଯାହା-କଲି ଭୋଗିଲି ତାହା !

ଆହା ପଦକୁ ସାହା, ନାହିଁକେ ଚଉବାହା

ମୋ କରମ ବଦଳ ନାହିଁ ତ ତୁମ ବଳ

କି ହେବ ପ୍ରଭୁପଣ ଥାଇ କି ? ।।୧।।

 

ଆପଣା କରମ ଯେବେ            ଭୁଞ୍ଜିବା ଲେଖା

କାହିଁକି ବୋଲାଅ            ଦୀନ ଜନର ସଖା ?

କରମ ବଳ ଥିଲେ, ସୁଫଳ ଫଳେ ବଳେ

ଅଦଳ ବଦଳକୁ ନାହିଁ କେ ଶୁଣିବାକୁ

ସୁଖର ସାଥି ପରା ତୁମେ ମୂରଲୀଧରା !

ରାଧା ମରିଛି ଗୁଣ ଗାଇକି ।।୨।।

–୦–

 

ବିଘ୍ନହର କରୁଣା କର, ପ୍ରଣମେ

ନିଖିଳ-ଦୁରିତ-ହାରି !

ବନ୍ଦେ ପଦ ନଗ-ନନ୍ଦିନୀ-ସୁତ ହେ,

ନିଖିଳ-ଦୁରିତ-ହାରି ।।୦।।

 

ପାଶାଙ୍କୁଶ-ଧର ଗଣ-ଅଧିନାୟକ

ଅନ୍ଧ ତମସ ଦୂରକାରି,

ଇନ୍ଦୁର ବାହନ, ହେ ଗଜ ଆନନ,

ସୁର ନର ମାନସଚାରି ।୧।

 

ନାଶ କରି ଚିର ଅନ୍ତର କଳୁଷେ

ଦାସ ଜନେ ଦିଅ ତାରି,

ଲମ୍ବୋଦର ଗିରିଜା-ନନ୍ଦନ ହେ,

ଦିଅ କରୁଣାମୃତ ବାରି ।୨।

 

ନାହିଁ ନାହିଁ ଭକତି, ସୁମତି ମୋର

ନାମ ମାତ୍ର ଜପକାରୀ

ଶରଣ ମାଗେ କବିଚନ୍ଦ୍ର ଚରଣ ତଳେ

କୁସୁମାଞ୍ଜଳି ନିତି ଢାଳି ।

–୦–

 

ନବଘନ ସୁନ୍ଦର ହେ

ରାଧିକା ଚିତ୍ତ-ବନ ମଧୁକର ।।୦।।

 

ଧୀଟ ରାଟ ନନ୍ଦଚାଟ କୁଞ୍ଜ ବିପିନ-ଚାରୀ

କାଳୀୟ ମର୍ଦ୍ଦନ ଗିରିବରଧାରୀ-ମୁରାରି, ମୁରାରି, ମୁରାରି

କଞ୍ଜଚରଣେ କମ ନୂପୁର ହେ, ଘନସୁନ୍ଦର,

ସୁନ୍ଦର, ସୁନ୍ଦର ।।୧।।

 

ଚହଟ ଚାରୁ ଚିକ୍‌କଣ ଚୂଳେଁ ଶିଖିଚନ୍ଦ୍ରିକା ସାରି

ମନ୍ଦମଳୟେ ନଟନ ନିରତ କଣ୍ଠ ଲଗନ ବନମାଳୀ

ମୁରାରି, ମୁରାରି, ମୁରାରି-

ରାଈମାନସନାଗରେ ହେ-ଘନସୁନ୍ଦର, ସୁନ୍ଦର, ସୁନ୍ଦର ।୨।

–୦–

 

ଦୀନବନ୍ଧୁ ହେ, ସତ କହିବ ମୋତେ

ଛୁଇଁ ଚକା ଡୋଳା ଆପଣା ହାତେ ।।୦।।

 

ମୋ ବିପଦେ ମୁଁ ତ ଡାକଇଁ ତୁମ୍ଭଙ୍କୁ

ଆହା କରି ହେବ ବୋଲି ମୋ ସାହା,

ତୁମ ବିପଦରେ, କିଏ ସେ ରଖିବ,

କାହା ନାମ ଧରି ତରିବ ସତେ ? ।୧।

 

‘ବାପା ମୋର କିଏ’ ପଚାରିଲେ ମୁଁ ତ

କହିବି ନୁହେ ମୁଁ ଅଣବାବୁଆ

ଜଗନ୍ନାଥ ମୋର ବାପ ବସିଛନ୍ତି

ତୁମ ବାପ କିଏ କହ ଜଗତେ ।୨।

 

ଅଣବାବୁ ବୋଲି, ଲାଜେ ପରା ମୁଖେ

କାଳି ବୋଳିଅଛ ଆପେ ଗୋବିନ୍ଦ,

ଛନ୍ଦ ଛାଡ଼ି ଆଜି, ବତାଅ ହରି ହେ,

ତୁମ କୁଳ ଗୋତ୍ର ଯିବି ପରତେ ।୩।

–୦–

 

ଅମଳ କମଳ ଚରଣ ତଳକୁ ଭ୍ରମରା-

ମନଭ୍ରମରା ତୁ ଉଡ଼ି ଚାଲ ରେ

ବାଇ ପରା ତୁହି ଧନ୍ଦି ହୁଅ ନାହିଁ

ନୟନ କବାଟି ଖୋଲ ରେ ।।୦।।

 

ହେମ ରତନରେ ସଜଡ଼ା ପାଖୁଡ଼ା

ନୀଳ ମରକତ ବେଢ଼ା,

ସଞ୍ଜ ସକାଳେ ସେ ଫୁଲୁଛି ଝୁଲୁଛି

ମଧୁ ମକରନ୍ଦ ଭରା ରେ

ତାର ଅମୂଲ ମୂଲ-ମନଟାଣଟି କରିଥା ମୂଳ ରେ

ଉଡ଼ି ଚାଲ, ଉଡ଼ି ଚାଲ ମନ ଉଡ଼ି ଚାଲ ରେ

ମନଭ୍ରମରା- ।୧।

 

ଆକାଶ ପାତାଳେ କାହିଁ ସେ ନଫୁଟେ

ପାଣି ପବନ ନ କାଟେ (ତାକୁ)

କର ବଢ଼ାଇଲେ, ଦୂରେ ସେ ଘୁଞ୍ଚଇ

ମନ ତଳେ ଛାଏଁ ଫୁଟେ

 

ତାର ନାହାକା ଚେର

ଚରି ରହିଛି ବଡ଼ ଗଭୀର ରେ-ଉଡ଼ି ଚାଲ

ଉଡ଼ି ଚାଲ ମନ ଉଡ଼ି ଚାଲ ରେ

ମନ ଭ୍ରମରା ।୨।

–୦–

 

ଶ୍ୟାମ ସଙ୍ଗେ ଦିନ ଯାଉ ରେ

ଶ୍ୟାମ ନାମ ମନ ଗାଉ ।।୦।।

 

ସୁନ୍ଦର ଶ୍ୟାମ ଲଳିତ କଳେବର

ଚଞ୍ଚଳ ନେତ୍ର ତ୍ରିଭଙ୍ଗ,

କୁଞ୍ଜ ପଟେ ନିତି ସଞ୍ଜେ, ମନୋହର-

ନୃତ୍ୟ ଭଙ୍ଗି ଦେଖୁଥାଉ ରେ ।୧

 

ଚନ୍ଦ୍ରକ ମଞ୍ଚୁଳ ଚୂଳ ବିଲୋଡ଼ିତ

ଅଙ୍ଗ ଗନ୍ଧ ପରକାଶେ,

ଅଧରେ ମନୋହର ମୁରଲୀ ତାନ ମନ

କାନେ କାନେ ଶୁଣୁ ଥାଉ ରେ ।୨

–୦–

 

କରି କରାଉ ପ୍ରଭୁ,            ନିମିତ୍ତ ଆଉ ସବୁ

ତୋ କଥା ତୁ ଜାଣୁ ମଣିମା !

ଅନ୍ଧରେ ହେଉ ସାହା,            ତୁ ପୁଣି ଚଉବାହା

ବିଧିରେ ଅଜଣା ତୋ ସୀମା

ହେ, ମହାବାହୁ

ତୁ ଏକା ତୋହରି ଉପମା

ଘଡ଼ି ଘଡ଼ିକେ ଆନ            ମନ ବଚନ ଜ୍ଞାନ

ଗୋଚର ନୁହେଁ ତୋ ଗରିମା

ହେ, ମହାବାହୁ ।୧।

 

ଦେଇ ଦିଆଇ ହରି            ରଖୁ ମାରୁ ତୁ ହରି !

ଏ ଖଳେ ତୋହରି ଭିଆଣ

ବଡ଼ ପଥର ଘରେ            ଖଣ୍ଡ ଦାରୁ ଭିତରେ

ବୋଲାଉ ପତିତ ପାବନ

ହେ, ମହାବାହୁ

ପଦ ତଳେ ଏ ମାଥ ଥାଉ

ଧନ ରତନ ମଣି            ନ ମାଗେ ଚିନ୍ତାମଣି,

ତୋ ନାମ ଧରି ଜୀବ ଯାଉ

ହେ, ମହାବାହୁ ।୨।

ମନ ବାଉଳାରେ,

ତୁ ତ ଭଙ୍ଗା ଚାଳିର କୁଣିଆ ।।୦।।

 

କହିଲୁ କେ ତୋହର            କିଏ ଭାଇ ପିଅର

କେହି ନୁହେ କାହାର            ଅନ୍ଧାରି କାରବାର

ସଭିଏଁ ସାଥି ଦୁଇ ଦିନିଆ ।୧।

 

ଏ ମାଟି ଗାଆଁ ଭୂଇଁ,            ତୋହର ହେଉ କହି

କାହୁଁ ଆସିଛୁ ବହି,            କାହିଁ ତୁ ଯିବୁ ଧୋଇ

ନେବୁ କି ଖଟ ପାଟ-ତଣିଆ ।୨।

 

ଛନ୍ଦ କପଟ ମାୟା            ଘେରା ଏ ତୋର କାୟା

ଜାଣୁ ଜାଣୁ ରେ ବାୟା            ସତ ମଣୁ ତୁ ଛାୟା

ଭାଙ୍ଗି ଯିବ ଏ ଟାଣ ପଣିଆ ।୩।

 

ସତକୁ ସାର କର            ଗୟାଳୀ ଜଡ଼ ମାର

ସଂଖାଳି ସେହି ତୋର            ଭବ ସାଗରୁ ତର

ଆଉ ସବୁ ଅଗାଡ଼ି କଣିଆ ।୪।

–୦–

ଜନନୀ ଜୟ ଜୟ            ସକଳ ସୁଖମୟ

ସଦା ମଙ୍ଗଳ କାରିଣୀ,

ଖଡ଼୍‌ଗ ଖର୍ପର            ଶୂଳ ଧାରିଣୀ

ହର ହୃଦୟ-ପର ଚାରିଣୀ ।।୦।।

 

ସୁରନାଗ କୃପା ପ୍ରଦାୟିନୀ ଶମ୍ଭୁ ମାନସ ହାରିଣୀ,

କର ଦୟା ଦୀନେ ସିଂହ ବାହିନୀ,

ମହିଷ ଖଳ ଗର ନାଶିନୀ ।୧।

 

ଶକ୍ତି ମୁକ୍ତି ବିଧାୟିନୀ ଦେବୀ ଗିରିରାଜ-ବର-ନନ୍ଦିନୀ

କାଳିକେ, ନର ମୁଣ୍ଡ ମାଳିକେ

ଚଣ୍ଡୀକେ ଦର-ବାରିଣୀ ।୨।

 

ଭକ୍ତଜନ ମନ ପୂର୍ଣ୍ଣ କାରିଣୀ ଶକ୍ତିରୂପୀ ସନାତନୀ

ଚରଣ ତଳେ ତବ, ପ୍ରଣତି ଭବଜୀବ,

ମିନତି ଘେନ ଜଗବନ୍ଦିନୀ ।୩।

–୦–

 

ଶୁଣ ମନମୋହନ, ଡାକେ ଭିଖାରୀ ।।୦।।

କାହାରେ ଦେଇଛ ଧନ      ମାଗିଛି କିଏ ରତନ

କାହାଲାଗି ତୋଳିଛ ଗିରି,

ବାସ ଦେଲେ କାହା ମାନ      ରଖିଛ ହେ ନାରାୟଣ

କେତେ କଥା କାନେ ଶୁଣିଲି ।୧।

 

କାହାକୁ ଦେଇଛି ମନ      ଭୁବନ ଭୁଲା ନୟନ

ଘେନି ଗଲା ରାଧା ଗୁଆଳୀ,

ଖେଳ ଲୋଳ ଶିଖି ଚୂଳ      ଚାରୁ ଚରଣ ନୂପୁର

କାହା କରେ ଦେଇଛ ତୋଳି ।୨।

 

କିଏ କହେ ଦୟାସିନ୍ଧୁ      ମାଗଇ କରୁଣା ବିନ୍ଦୁ

ଯୋଗୀ ଜପେ ମୁକତି ଭାଳି,

ପୀରତି ଅବା ମୁକତି      ମାଗୁ ନାହିଁ ଶିରୀପତି

ରଖିଥା ଭଣ୍ଡାର ଭରି ।୩।

 

ବନବୁଲା ବନମାଳୀ            ବରଜ ପଥରେ ଚାଲି

ଲାଗିଥିବ ପୟରେ ଧୂଳି,

ଏ ମୋ ପୋଡ଼ା ଆଖି ଭରି            ସାଇତି ଆଣିଛି ବାରି

ଧୋଇଦେବି କହୁଛି ଖାଲି ।୪।

ଘେନି ମିନତି ଗିରିଧାରି ।।୦।।

ଭଣ୍ଡାରେ ସାଇତା            ଯେତେ ଦୁଃଖ ଅଛି

ଢାଳିଦିଅ ସବୁ ମଥା ପତାଉଛି

କହିଦିଅ ଖାଲି            ଗଢ଼ିବି ଯମୁନା

ଯୋଡ଼ା ଆଖି ଲୁହ ଢାଳି

ନଉକା ଭସାଇ            ତୁମେ ହେ କହ୍ନାଇଁ

ପଝାରି କରିବ ପାରି ।୧।

 

ହାବୁକାରେ ନୀର ଉଛୁଳୁ ଥିବ ତ

ଛୁଇଁ ଛୁଇଁ ତୁମ ଚରଣର ପ୍ରାନ୍ତ

ବୁଡ଼ି ଆସୁଥିବ ମେଘ କାନ୍ଥି ତଳେ

ଦିନ ରବି ନାଲି ବୋଳି

ଅନ୍ଧାରେ ଡରି            ଯାଉଥିବେ ଯେବେ

ବିହଗ ବସାକୁ ଫେରି,

ସେଇ ସଞ୍ଜବେଳେ            ଉଭା ଥିବ ତୁମେ

ନାଆ ମଙ୍ଗେ କାତ ଧରି ।୨।

 

ସମାପ୍ତ