ଚମ୍ପୂ ପ୍ରବେଶ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ମଙ୍ଗଳାଚରଣମ୍

ତେନେ ଯେନେହ କୃଷ୍ଣାବସନବିତରଣୋବ୍ଦେଗ ନୈପୁଣଂପୂଣ୍ୟଂ,

ପାର୍ଥାନର୍ଥାନ୍ କୁରୁଣାମଧିପତିବିହିତାନ୍ ଯୋ ଜୁହାବାହବାଗ୍ନୌ ।

ସତ୍ୟାମତ୍ୟାନୟଦ୍ ଯୋ ଭୁବମମରତରୁଂ ସ୍ୱର୍ଗତୋଽନର୍ଗଳୌଜାଃ,

ହନ୍ତାଦନ୍ତାବଳାର୍ତ୍ତେଃ ସ ପରମପୁରୁଷଃ ସନ୍ତତଂ ଶଂ ତନୋତୁ ।।

 

ଅର୍ଥ :-

ନାରାୟଣ !

ଯୁଗ ଯୁଗାନ୍ତର ଗତ-

ତଥାପି ସେ ପୁରାଣର

ପବିତ୍ର ପ୍ରଖ୍ୟାତି,

ଆଜି ମଧ୍ୟ ରଟେ କୋଟି କଣ୍ଠ ।

ଯେବେ, ଆହେ ଶରଣରକ୍ଷଣ !

 

କୁରୁସଭାତଳେ -

ପାଣ୍ଡବର କୁଳଲକ୍ଷ୍ମୀ ଦେବୀ ଦ୍ରୌପଦୀରେ

ବିବସନ କଲା ଦୁଷ୍ଟମତି ଦୁଃଶାସନ,

କାତରେ ଡାକିଲେ ସତୀ :-

ରକ୍ଷା କର ହୃଦୟବଲ୍ଲଭ !

କୋଟି ବସ୍ତ୍ର ଦେଇ ତୁମ୍ଭେ

ରଖିଥିଲ ରମଣୀର ମାନ ।

 

ଦୁରିତନାଶନ ପ୍ରଭୁ !

କୁରୁରାଜ କ୍ରୂର ଦୁର୍ଯ୍ୟୋଧନ

ଅକାରଣେ ବିହିଥିଲା

ଯେତେକ ଅନିଷ୍ଟ ପାଣ୍ଡବର,

ହୋମର ଆହୂତି ରୂପେ

କୁରୁକ୍ଷେତ୍ର ସମର ଅଗ୍ନିରେ

ସ ସମସ୍ତ ଦେଲ କରି ଭସ୍ମ ।

 

ଭକ୍ତବାଞ୍ଛା କଳ୍ପତରୁ !

ପ୍ରାଣପ୍ରିୟା ସତ୍ୟଭାମା ସନ୍ତୋଷ ବିଧାନେ

ଆଣିଥିଲ ଭୂଲୋକରେ

ସରଗରୁ ପାରିଜାତ ପରା !

ବିପଦବାରଣ ତୁମ୍ଭେ,

ଅଥଳ ଜଳରେ ଯେବେ

ଗଜରାଜେ ଧରିଲା କୁମ୍ଭୀର

 

ବିକଳେ ଡାକିଲା :-

ରଖ, ରଖ ଚକ୍ରଧର !

ନିମିଷକେ ଉଦ୍ଧରିଲ ତାକୁ ।

ହେ ମଙ୍ଗଳମୟ କୃଷ୍ଣ !

ଘେନ ନିବେଦନ,

ସତତ ମଙ୍ଗଳ-କର

ବିସ୍ତାର ଜଗତେ !

 

କ୍ୱ ବସ୍ତ୍ୱ ହିଫଟାନଟାଚରଣଲମ୍ପଟାଙ୍ଘ୍ରିଦ୍ୱୟଂ,

ମହଃ କ୍ୱ ଚ ଲସନ୍ମହାରଜତଜାତିଜୈତ୍ରଂ ପୁନଃ,

ତୟୋଃ କ୍ୱଘଟନାବିଧୌ କବନକଳ୍ପନଂ ସ୍ୱଳ୍ପଧୀ-

ରହଂ କ୍ୱ ଚ କଥଂ ହଠାଦୁଦିତମୀଦୃଶଂ ସାହସଂ ।

 

ଅର୍ଥ :-

କାହିଁ ସେହି ନଟପଟୁ ଚରଣ ଯୁଗଳ, -

ଯାହା ଅତି ବିଷଧର

କାଳୀୟ ଫଣାରେ ନର୍ତ୍ତନକୁଶଳ ?

କାହିଁ ଅବା,

ମହୋଜ୍ଜ୍ୱଳ ତେଜୋମୟୀ

 

ପ୍ରକୃତିରୂପିଣୀ ରାଧା ;-

କନକ-କାନ୍ତି-ନିନ୍ଦନ

ଜ୍ୟୋତି ଯାହାଙ୍କର ?

କେତେ ଦୂରେ ସତେ ସେ କଳ୍ପନା ?
ଅଳ୍ପବୁଦ୍ଧି ଜନ ମୁହିଁ

କିପରି, କାହିଁକି ଅବା

 

ବିଷମ ସାହସ ମୋର ଜାତ ହେଲା ସତେ

ରଚିବାକୁ

ଯୁଗଳ ମିଳନାତ୍ମକ

ଏହି ଚମ୍ପୂ କାବ୍ୟ !

ଅବୁଝା ସକଳ ମୋର ।

 

କଥାମହମିହ ମହିତମହିମମହୋଦଧେର୍ମହେନ୍ଦ୍ର - ମଣିମୟୂଖ-ସନ୍ଦୋହ ସହୋଦରାଙ୍ଗମହସୋ ବିହାରଶାଳିନୋ ମଧୁରେ ମଧୌ ବଧୂଦିତନ୍ୟାୟାନ୍ୱୟସିଦ୍ଧାନ୍ତିତସ୍ୟ ସର୍ବେଶ୍ୱରସ୍ୟ ଶ୍ରୀନନ୍ଦନସ୍ୟାଖଣ୍ଡତପୋମଣ୍ଡଳ-ପିଚିଣ୍ଡିଳୀକୃତା -ନେକାନେହସୋ ଭଗବତୋ ମାର୍ତ୍ତଣ୍ଡସ୍ୟ ସୁକୃତକୃତାବତାୟା ରାଧୟା ସହ ଲୀଳାଂ ଲୋକୋତ୍ତରାମଳ୍ପଧୀର୍ଜଳ୍ପାମୀତି କବିଶ୍ଚିନ୍ତୟାମାସ ।

 

ଅର୍ଥ :-

ଯୁଗ ଯୁଗ ଧରି,

ଆଚରିଲେ ତପଃ ପୂର୍ବେ

ଦେବ ଦିବାକର, ବହୁକାଳ;-

ଲଭିବାକୁ କନ୍ୟାରୂପେ

ପ୍ରକୃତି ଦେବୀରେ ।

 

ଫଳେ ତାର,-

ଜନମ ଲଭିଲେ ରବି

ବୃଷଭାନୁ ରୂପେ ଧରଣୀରେ ।

ନାରାୟଣ

ଯେବେ ଶ୍ରୀକୃଷ୍ଣ ସ୍ୱରୂପେ

ଜନମିଲେ ଅବତାର ଘେନି ମର୍ତ୍ତ୍ୟପୁରେ,

ତହିଁ ପୂର୍ବେ, କନ୍ୟାରୂପେ

ଳଭିସାରିଥିଲେ ଜନ୍ମ

ପ୍ରକୃତିରୂପିଣୀ ରାଧା

ଅଲିଅଳ ରାଜଜେମା

ବୃଷଭାନୁ ଗୃହେ ।

 

ମଦନମୋହନ କୃଷ୍ଣ,-

କମ-କାନ୍ତି ଯାହାଙ୍କର

ନିନ୍ଦେ ଇନ୍ଦ୍ରନୀଳମଣି ତେଜ ।

 

ମାଧୁମାସେ ସେ ମାଧବ

ବିଚରନ୍ତି ଯେବେ ବୃନ୍ଦାବନେ,

ବରାନନା ଗୋପବଧୂଗଣ

ଚିହ୍ନିପାରି ସର୍ବେଶ୍ୱର ରୂପେ ତାଙ୍କୁ

ହେଲେ ଆତ୍ମନିବେଦିତା;-

ବୃଷଭାନୁ ଜେମାତୁଲେ,

ସରସ ମାନସେ ।

 

ତାଙ୍କ ଲୀଳାଖେଳା

ବର୍ଣ୍ଣିବାକୁ କାହିଁ’ଛି ଶକତି ?

ଅଳ୍ପବୁଦ୍ଧି ନଗଣ୍ୟ ଯେ ମୁହିଁ ।

ଏ କଳ୍ପନା ସତେ କି ସମ୍ଭବ ହେବ

ଜୀବନରେ ମୋର ?

କଳପିଲେ ଏତେ

ଆପଣାର ପ୍ରତିଭାରେ ସନ୍ଦୀହାନ କବି

ମନେ ମନେ ।

 

‘କ’

ଅନୁଚିନ୍ତା

କରେ କୁମ୍ଭ ଧରି ନବୀନା କିଶୋରୀ

ପ୍ରଭାତେ ଯମୁନା ଯାଇ,

କାନେ ତା ବାଜିଲା ମୋହନ ମୁରଲୀ

ଆତୁରେ ଡାକିଲା ରାଈ ।।

 

କଳା ତମାଳର ମୂଳରେ ଛଇଳା

ନୟନ ଅଟକି ଗଲା,

କି ଦେଖିଲା ନେତ୍ରେ ବାରି ନ ପାରି ସେ

ଲଳିତାରେ ପଚାରିଲା :-

 

-ଗୀତ-

କି ହେଲା ରେ, କହିତ ନୁହଇ ଭାରତୀରେ ।

କାଲି ଯା ଦୂରରୁ ସଖୀ            କଳନା କଲା ମୋ ଆଖି,

କଳାଇନ୍ଦୀବର ଆରତି ରେ ।ପଦ।

 

କେଳିକଦମ୍ବ ଲତାର            କୋଳେ କି ଶ୍ୟାମଳ ତା’ର,

ତେଜ ସେ ରବିସୁତାର ତୀରେ,

କମ୍ପି ମୋର କଳେବର      ହୋଇଗଲା ଆର ପାର

ଯାହାକୁ ଡରଇ ତାର ତୀରେ ।୧।

 

କୁସୁମ-କୋଦଣ୍ଡ କାଣ୍ଡ            କେତେ କରିଥିଲା ରୁଣ୍ଡ,

କର୍କଶ ନୋହିବା ଭାରତୀରେ,

କହୁଛି ବରଜି ଲଜ୍ଜା,                  କେବଳ ହେଲା ମୋ ମଜ୍ଜା

ମଜ୍ଜି ଯିବି କି ଉଭା ରତିରେ ? ।୨।

 

କି ମୋହନ ଲୀଳା ଧରି            କୋଟି କଳାକରଶିରୀ

ପୂରିଛି ସେ ଶ୍ୟାମ ମୂରତିରେ,

କୁତ୍ସା କରେ ମୁଁ ଧାତାକୁ            କାହିଁକି ସରଜି ତାକୁ

ଚିରାୟୁ ରଖିଲା ଜରତୀରେ ।୩।

 

କି ନୀତି, କି ଜାତି ଶୀଳ            କି କୁଳବରତ ଫଳ

ଠଉରି ନ ପାରେ ମୋ ମତିରେ,

କୋମଳତର ମୋହନ                  କୁଞ୍ଜକୁକ୍ଷିରୁ ନିଃସ୍ୱନ

ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ।୪।

 

କଲବଲ ଛଟପଟ                  ହୋଇ ଯାଉଛି ନିପଟ

ସଂବେଶ ଅଶନ-ବିରତିରେ ।

କହଇ ଶ୍ରୀ ବାଲୁକେଶ            ଶରଣ ଧରଣୀଈଶ

ଏ କି ଦଣ୍ଡ ବିନା ପୀରତିରେ ? ।୫।

 

( ରାଗ-ଶାବେରୀ । ତାଳ-ତ୍ରିପୁଟା )

 

-ଗୀତକଥା-

ଶ୍ରୀମତୀ କହିଲେ :-

ସହୀରେ, ଅଚଳନ୍ତି ନୀଳକଇଁଟି ପରି କାଲି ସତେ ଦୂରରୁ ମୋ ଆଖି ଯାହା ଠଉରାଇଲା, ମୁଁ ତୋତେ ସେ କଥା କହି ପାରୁ ନାହିଁ । ଏ କ’ଣ ହେଲା !

 

(୧) ସଖି, ଦେଖିଲି, ଯମୁନାକୂଳର କେଳିକଦମ୍ବ ଲତାକୋଳରେ କେମିତି ଗୋଟିଏ ଶ୍ୟାମଳ ତେଜ ସତେ ପୁଟି ଉଠିଛି । ଯାହାକୁ ମୁଁ ଡରି ମରୁଥାଏଁ ତା’ରି (କନ୍ଦର୍ପ) ଶରରେ ମୁଁ ଜରଜର ହୋଇପଡ଼ିଲି । ଦିହଟା ମୋର ଖାଲି ଶୀତେଇ ଉଠିଲା ଲୋ ସହୀ !

 

(୨) କନ୍ଦର୍ପ ତାର ଚିକ୍‌କଣ ଶରମୁଣା ଭିତରେ କେତେ ଫୁଲ ଧନୁଶର ସାଇତି ରଖିଥିଲା କେଜାଣି ! ଲାଜ ଛାଡ଼ିକରି ମୁଁ ତୋତେ କହୁଛି - ସତରେ ମୋର ମନେହେଲା ଠିଆ ଠିଆରେ ତାଙ୍କ ସହିତ ମିଶିଯାଆନ୍ତି କି !

 

(୩) ସହୀ ଲୋ, ସେହି ଶ୍ୟାମଛବିରେ କୋଟିଏ ଚନ୍ଦ୍ରର ଶୋଭା କି ମନଭୁଲା ମାଧୁରୀ ଧରି ପୂରିରହିଛି ସତେ ! ଏଭଳି ରୂପକୁ ଗଢ଼ି କାହିଁକି ଭଲା ଦଇବ ବୁଢ଼ୀକି ଏତେ କାଳ ଜୀଆଇ ରଖିଲା ? ( ଏଠାରେ ବୁଢ଼ୀ ଶବ୍ଦରେ ରାଧାଙ୍କ ଶାଶୁ ଜଟିଳାପ୍ରତି ଲକ୍ଷ୍ୟ କରାଯାଇଛି ) ।

ଏହି ପଦାଂଶଟି ‘‘ଚିରାୟୁ ରଖି ଲାଜ ରତିରେ’’- ଏପରି ପଢ଼ି,- ରତିରେ ଲାଜଯୋଖି କାହିଁକି ପୋଡ଼ା ବିହି ଏପରି ରୂପକୁ ଭିଆଣକଲା ବୋଲି ମଧ୍ୟ ଅର୍ଥ କରାହୁଏ ।

 

(୪) ନୀତି କ’ଣ, ଜାତି କ’ଣ, ଏମିତି କି କୁଳବ୍ରତର ଫଳ ସୁଦ୍ଧା - କାହାରି ହେଲେ ମୋ ମନଭିତରେ ଆଉ ଠିକଣା ଠଉର ରହିଲା ନାହିଁ । ଠିକ୍ ଏତିକିବେଳକୁ ପୁଣି କୁଞ୍ଜଭିତରୁ ଗୋଟିଏ ଭାରି ମଧୁରିଆ ସ୍ୱର ଭାସି ଆସି ମୋ କାନରେ ପଡ଼ିଲା ।

 

(୫) ସେତିକିବେଳରୁ ଖିଆପିଆ ସବୁ ମୋର କୁଆଡ଼େ ଉଭେଇ ଗଲାଣି । ମୁଁ ଖାଲି ଛଟପଟ ହୋଇ ମରୁଛି ଲୋ ! (ଆଠଗଡ଼ ରଜା କହୁଛନ୍ତି) ବିନା ପ୍ରୀତିରେ ସତେ ଏ କି ଦଣ୍ଡ ହେଲା !

 

-ଶ୍ଳୋକାଂଶ-

ନାଦଃ କୋଽପି ନିତମ୍ବିନୀଜନମନଃ କ୍ଷୋଭକ୍ଷମଃ ଶ୍ରୁଶ୍ରୁବେ,

କାନ୍ତିଃ କାପି ଚଳତ୍ କଳାପମୁକୁଟାଲମ୍ବା ଚୁଚୁମ୍ବାମ୍ବକେ;

ସ୍ଥୈର୍ଯ୍ୟଂ ତତ୍ ପ୍ରଭୃତି ସ୍ଖଳତ୍ୟପି ବଳତ୍ୟନ୍ତର୍ବିଳାପୋ ବଳା-

ଦଶ୍ରାନ୍ତଂ ସଖି ଦୃଶ୍ୟତେ କିମଭିତୋ ମାହେନ୍ଦ୍ରନୀଳଂ ମହଃ ।।

 

ସଖି ! ଶିଖଣ୍ଡାପୀଡ଼ମନୋହରଃ ପ୍ରତ୍ୟଗ୍ରମୁଦିରମେଦୁରଃ ସମୁତ୍କଟ-

ନଟନାଟୋପପଟୁଃ କୋଽପି ସମୂହୋ ମହସାମମଳଃ ସମାଲୋକି

ମୟେତ୍ୟୁକ୍ତବତ୍ୟାଂ ଶ୍ରୀମତ୍ୟାଂ ତାଂ ପ୍ରତି ଲଳିତା ।

 

ଅର୍ଥ-

ପ୍ରିୟସଖୀ,

ଯେବେ ଲୋ, ସେ-

କାମିନୀ ମାନସହରା ମୋହନ ମୁରଲୀ

ଗୁଞ୍ଜରିଲା ମଧୁ ମଧୁ

କର୍ଣ୍ଣତଟେ ମୋର,

ପୁଣି ସଙ୍ଗେ ତା’ର

ପରଶିଲା

ନୟନଯୁଗଳେ ଆସି

ଆଖିଭୁଲା କି ସେ ଏକ

ଅପରୂପ ତେଜ;-

ଶିଖୀଶିଖା ଦୋଳନରୁ ଝରି;

ଆକୁଳିତ କଲା ତନୁ ମନ ।

 

ଆସେପାଶେ ଚଉକତି ସତେ

ଖେଳିବୁଲେ ଅହରହ

ସେଇ ଛବିଛଟା,-

ସୁନ୍ଦର ସେ ଇନ୍ଦ୍ରନୀଳମଣିର ଝଲକ ।

 

ସେତିକିବେଳରୁ ସଖି,

ଅନ୍ତର ଯାତନା ମୋର ବଢ଼େ ବେଳୁଁବେଳ ।

ଖାଲି ତ ଏତିକି ନୁହେଁ

କି କହିବି ତୋତେ ଲୋ ଲଳିତା !

ନବଘନ ତନୁଭଙ୍ଗି ତୁଲେ

ମୟୂର ଚୂଳର ଗୁରୁ ଗଉରବ ଶିରୀ,

ସତେ ସଖି !

 

ଅଭୁଲା ସେ ଏ ଜନମେ ମୋର ।

ଆହା, ସେ କି ମନୋହର ନର୍ତ୍ତନ ଭଙ୍ଗିମା !

ଭାଷା ନାହିଁ,- ଭାଷା ନାହିଁ ମୋର

କିକରି ଲୋ, ବର୍ଣ୍ଣିବି ତୋ ଆଗେ ?

ଶ୍ୟାମ-ପ୍ରେମ ପାଗଳିନୀ

ରାଈ କଥା ଶୁଣି

କହିଲା ସେ ଚତୁରୀ ଲଳିତା:-

 

‘ଖ’

ଅନୁଚିନ୍ତା

ଖରେ ରାଈ ମନ ଠଉରାଇ ଗୋଇ

ଚତୁରୀ ଲଳିତା ସଖୀ,

ଖଞ୍ଜାଇ ବଚନ, ରଞ୍ଜାଇ ପଚାରେ :-

ଆଉ କି ରଖିଚୁ ବାକୀ ?

 

ଖୋଜି ଲୋଡ଼ି ତୁ ଯେ କାଳ-କଳାନାଗ

ବନାଇଲୁ ଗଳାହାର

ଖଳ ପୀରତିକି କୋଳକରି ଧନୀ,

ହେଲୁ କେଡ଼େ ହରବର !

 

ଗୀତ

ଖରାପ ତୁ ହେଲୁ ରେ,

ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ ।ପଦ।

 

ଖର୍ବ ହୋଇ ସୁରତରୁ-କୁସୁମ ବାଞ୍ଛିଲୁ ରେ,

ଖେଦବୀଜ ନିଜ ହୃଦକେଦାରେ ବିଞ୍ଚିଲୁରେ ।୧।

 

ଖିଆଲ ପରି କି ଧନ ! ମନରେ ଭାଳିଲୁ ରେ,

ଖଳିକାର ନୋହି, କଳା ନାଗରେ ଚାଲିଲୁ ରେ ।୨।

 

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ,

ଖମଣି ମଣ୍ଡଳକୁ ତୁ କର ବଢ଼ାଇଲୁ ରେ ।୩।

 

ଖାଇଦେଇ କି ଅମଳ ଅଚେତା ହୋଇଲୁ ରେ,

ଖାରା ଖଣ୍ଡାଧାର ଖଟ ବିଚାରି ଶୋଇଲୁ ରେ ।୪।

 

ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁ ରେ,

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ ।୫।

( ରାଗ-କେଦାର । ତାଳ ତ୍ରିପୁଟା )

 

-ଗୀତକଥା-

ଲଳିତା କହିଲେ :-

କିଶୋରୀ, ଚିହ୍ନା ନାହିଁ, ଜଣା ନାହିଁ-ସେ ରୂପକୁ ଦେଖିବା ସଙ୍ଗେ ସଙ୍ଗେ ତୋର କଳା ଖଞ୍ଜନ ଆଖି କେତେବେଳେ ଭଳିଗଲା ସତେ ? କିପରି ଭଲା ଏ ସାହସ କଲୁ ? ମୁଁ ତ ତାଟକା ହୋଇଯାଉଛି ।

(୧) ବାମନ ହୋଇ ସ୍ୱର୍ଗରୁ ଫୁଲ ତୋଳିବାକୁ ମନ ତୋର ! ଏମିତି ଅସମ୍ଭବ ପାଞ୍ଚକରି ତୁ ଛାଏଁ ଛାଏଁ ଛାତି ପୋଡ଼ାକୁ ଡାକି ଆଣୁଛୁ ସିନା !

 

(୨) ତୋ ମନେ ମନେ ଏ କାମଟା ଖୁବ୍ ସହଜ ବୋଲି ଭାବୁଛୁ ! ନୁହେଁ ? ମୁଁ ତ ଦେଖୁଛି ତୁ ଗାରୁଡ଼ି ମନ୍ତ୍ର ନ ଜାଣି ସାପ ଖେଳାଇବାକୁ ବସିଛୁ !

(୩) ଖରା କିମିତିକା ଜିନିଷ, ସେ କଥା ମନେକଲେ ଯେ ଝାଉଁଳି ପଡ଼ୁଛି, ସେ ପୁଣି ସୂର୍ଯ୍ୟଙ୍କୁ ଧରିବାକୁ ହାତ ବଢ଼ାଇବ କେଉଁ ସାହସରେ ମ ? ଇଏ ଭଲା କିମିତି କଥା ?

 

(୪) ଏମିତି କି ନିଶା ଖାଇ, ଏକାବେଳେ ଅଚେତା ହୋଇପଡ଼ି, ତୁ ଖଣ୍ଡାଧାରକୁ ତୂଳା ଶେଯ ବୋଲି ବିଚାରିଲୁ ମ ସହୀ !

(୫) (ଆଠଗଡ଼ ରଜା ପହିଲିରୁ ତୋ ପାଦତଳର ସେବକ) ଖଣ୍ଟ ହାତରେ ଧନ ଟେକିଦେଲୁ, ପଦେହେଲେ ପଚାରିଲୁ ନାହିଁ ?

 

-ଶ୍ଳୋକାଂଶ-

ସ୍ପୃଷ୍ଟ୍ୱା ଚଞ୍ଚଳଚନ୍ଦ୍ରକାଂଚଳଚମତ୍କାରକ୍ରମଂ ଚକ୍ଷୁଷା,

କା ବାସ୍ମିନ୍ ପୁଟଭେଦନେ ନବବଧୂରେକାପ-ଶୋକାଭବେତ୍ ।

ବାଳେ ନୂତନସୂତିକାଳୟରତୌ କାଳେଽପି ତାଦୃଗ୍‌ବକୀ -

ହିଂସାମପ୍ୟନୁଭୂୟ ଲୋକବଚସଃ କିଂ ସାହସଂ ସ୍ୱୀକୃତଂ ।।

 

ହନ୍ତାହନ୍ତାତିକ୍ରାନ୍ତାତ୍ୟନ୍ତବିହିତବଚନୟା ଲୋକତିଗଲୀଳାଲୋଳଲୋଚନୟା ଭବତ୍ୟା ଯୁବତୀଜାତିପାତିବ୍ରତ୍ୟାତିଶୟଘାତିନି ଶିଖଣ୍ଡଶେଖରେ ନଟପଟୁନି ତମାଳମଳାମେଚକେ ମହସି ବ୍ୟରଚି ସାପେକ୍ଷକଟାକ୍ଷନିକ୍ଷେପବିଳାସଃ ।

 

ଅର୍ଥ :-

କିଶୋରୀ ଲୋ,

କହ ଦେଖି ସଖୀ !

ଏତେ ଛାତି ଧରି ସତେ

କିଏ ଅଛି ନବବଧୂ

ବରଜ ମଣ୍ଡଳେ,-

ଯା ନୟନେ ନାଚିଲେ ଗୋ,

ନଟବର ଶ୍ୟାମ ଶିର

ଚଞ୍ଚଳ ଚନ୍ଦ୍ରକ ଚୂଳ-

ଚହଲା ଚାତୁରୀ;

ରହିବ ତା’ ଧୃତି ?-

ଆକୁଳ ନୋହିବ ଚିତ୍ତ

କେଉଁ ନବୀନାର ?

 

ସବୁ ବୁଝି, ସବୁ ଜାଣି

ସରଳା ତୁ ଗୋପବାଳା !

କି ସାହସେ କହ ସତେ

ମିଶାଇଲୁ ତା’ ଆଖିରେ ଆଖି !

କୋଳେ ଥିବା କାଳୁଁ ପରା

ପୁତନାରେ ମାରିଛି ପରାଣେ ?

ଏବେ ତ ସେ ନବୀନ କିଶୋର ।

 

ବରତି ଯିବୁ କି ସହି,

ପଡ଼ି ତା ହାବୁଡ଼େ ?

ଏ କି କଲୁ ସତେ ?

ନ ଘେନିଲୁ ହିତ କଥା,-

କହିଲେ ଯା ଆପଣାର ଜନ ।

 

ସତୀ କୁଳ ଅଇରି ସେ

ମୟୂରଚୂଳିଆ ।

ତାକୁ ପୁଣି ଅନାଇଁ ତୁ ଦେଲୁ

ସଖୀ, ନଚାଇ ଭ୍ରୂଲତା ?

ଲଳିତା ଭାରତୀ ଶୁଣି

କହିଲେ ଶ୍ରୀମତୀ :-

 

‘ଗ’

ଅନୁଚିନ୍ତା

ଗତାଗତ ସତେ, ନ ଥିଲା ସେ ପଥେ

ତୁ କି ନ ଜାଣୁରେ ସଖୀ,

ଗଡ଼ି ଖସଡ଼ାରେ, ଗହଳ ପଙ୍କରେ

ଗୋଡ଼ ତ ଯାଇଛି ଲାଖି ।

 

ଗତି ନାହିଁ ଆଉ, ଆଗକୁ ପଛକୁ

ପାଦ ଚାଲିବାରେ ମୋର,

ଗେଲ ନୁହେଁ ଜାଣି ସତରେ ଚତୁରୀ !

ଶରଣ ଘେନୁଚି ତୋର ।

 

-ଗୀତ-

ଗଲାଣି ତ ଗଲା କଥା, ରେ ସଙ୍ଗାତ !

ଗୁପତେ ସିନା ମୁଁ ତୋତେ ପଚାରୁଛି ବଳିପଡ଼ିବାରୁ ବ୍ୟଥା ।ପଦ।

ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ, ଗଣ୍ଠିଧନ ତୋର ସ୍ନେହ,

ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ।୧।

 

ଗଞ୍ଜାଇକି ଜିଣି ଲାଗି ଝାଙ୍କେ ପୁଣି ରଞ୍ଜାଇଲା ମନ ଝଳି,

ଗୋଳା ଗରଳରୁ କଟୁ, ପୀୟୁଷରୁ ସ୍ୱାଦଗୁଣ ଗଲା ବଳି ।୨।

 

ଗୋଳିଦେଲା ମୋର ବାହାର ଭିତର ସ୍ୱର ସେ ଅବା ସରସେ,

ଗାତ୍ର ଗୋଟିଯାକ ପୂରିଲା ପୁଲକ ଶ୍ରବଣସୀମା ସ୍ପରଶେ ।୩।

 

ଗିଳିଦେଲା ପୁରନ୍ଦର-ନୀଳ କର-କଳିକାମୟ ତିମିର,

ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ।୪।

 

ଗତାଳସନାଟପଟୁ ଖଞ୍ଜରୀଟ ପରାୟେ ଆସିଲା ଉଡ଼ି,

ଗଣ୍ଡିଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି ।୫।

 

ଗଗନ-କୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳେ,

ଗୋଳିଆ ନ ରଖି କହ ଚନ୍ଦ୍ରମୁଖି, ଗହଳି ନ ଥିବାବେଳେ ।୬।

 

ଗରିଷ୍ଠ ଅରୁଚି କାହିଁକି କରୁଚି ଅଶନେ, ବସନେ, ଦେହେ,

ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି କହେ ।୭।

(ରାଗ-ତୋଡ଼ି ପରଜ । ତାଳ - ଆଦି)

 

-ଗୀତକଥା-

ଶ୍ରୀମତୀ କହିଲେ :-

ସହି, ଯାହା ହେବାର ତ ହେଲାଣି । ବିରହବ୍ୟଥା ବଳେଇ ପଡ଼ିବାରୁ ମୁଁ ତତେ ସିନା ମୋ ମନକଥା ଗୋପନରେ ପଚାରୁଛି ।

 

୧- ଗୋଡ଼ ମୋର ଖସି ଯାଇଛି, ନା ଆଉ ଖସିବାକୁ ବାକି ଅଛି ? ତୁ ମୋତେ ଅତି ସୁଖପାଉ । ହୃଦୟ ତୋର ଗଙ୍ଗା ଜଳପରି ନିର୍ମଳ । ଆଉ ମୁଁ ଜାଣେ, ତୁ କଥାଟାକୁ ପଦାରେ ପକେଇବୁ ନାହିଁ । ସେଥିପାଇଁ ତତେ ପଚାରୁଛି । ଏବେ ଖସି ଯାଇଥିବା ଗୋଡ଼ର ପୀଡ଼ା କେମିତି ଊଣା ହେବ ତାହାରି ଉପାୟ ବତାଇଦେ ।

 

୨- ଗଞ୍ଜାଇଠାରୁ ବଳିକରି ସେ ନିଶା ମତେ ଆହୁରି ଜୋରରେ ଝାଙ୍କୁଛି । ମୋ ମନ ସେ ନିଶାରେ ମୋହି ହୋଇ ଯାଉଛି । ସତେ ଯେମିତି ଏ ନିଶା, ବିଷଠାରୁ ଆହୁରି କଟୁ । ହେଲେ ମଧ୍ୟ ଅମୃତରୁ ବଳି ମଧୁର

୩- ସେ ସ୍ୱର (ବଂଶୀସ୍ୱର) ମୋ କାନରେ ପଡ଼ିଲାକ୍ଷଣି ମୋର ବାହାର ଭିତର ମନ୍ଥି ହୋଇଗଲା । ମୁଁ ତ ମନେ କରୁଛି ସ୍ୱର ନୁହେଁ ଶର ସେ-କାନ ଛୁଇଁଲା କ୍ଷଣି ସାରା ଦେହଟା ପୁଲକି ଉଠିଲା ମୋର ।

 

୪- ଶ୍ୟାମ ବର୍ଣ୍ଣର ସେ ଇନ୍ଦ୍ରନୀଳମଣି କିରଣଛଟା ମତେ ଆଚ୍ଛନ୍ନ କରିପକାଇଲା । ଆଖି ମୋର ଝଲସିଗଲା । ଚାରିଆଡ଼ ମତେ ଖାଲି ଅନ୍ଧାର ଦିଶିଲା । ମୁଁ ଘରେ ଅଛି, କି ବଣରେ ଅଛି, ଠିକଣା କରିବାକୁ ଚେତା ରହିଲା ନାହିଁ ଆଉ ।

୫- ଅଳସଛଡ଼ା ନାଟୁଆ କଜଳପାତି ପକ୍ଷୀର ଚଂଚଳ ଛଟକପରି କେଡ଼େ ବେଗରେ ସେ ଶ୍ୟାମ ଛଟା ଛାତି ଭିତରେ ମୋର ପଶିଗଲା ସହି ! ସତେ ଯେମିତି ମୋ ଦେହରେ ଗୁଳି ଭୁକିଗଲା । ବିବେକ ମୋର କୁଆଡ଼େ ଘଉଡ଼େଇ ହୋଇଗଲା ।

 

୬- ଆକାଶରୁ ଫୁଲ ତୋଳିବାକୁ ମନକଲେ ଯେମିତି ଅକାରଣରେ ପରିଶ୍ରମ ଖାଲି ସାର ହୁଏ, ମୋ ଶ୍ରମର ଫଳ କଅଣ ସେଇପରି ହେବ ? ମନରେ ଗୋଳିଆ ନ ରଖି ଟିକିଏ ମତେ ନିରୋଳାରେ ସବୁକଥା ଫିଟାଇ କହିବୁଟି ।

୭- ଏବେ କାହିଁକି ଖିଆପିଆ, ବେଶଭୂଷା ସବୁ ମତେ ଭାରି ଅରୁଚି ଲାଗୁଛି । (ଆଠଗଡ଼ରାଜା କହୁଛନ୍ତି) ଗୁରୁଜନମାନେ ଜାଣିଲେ ଗତି କଅଣ ହେବ ଭଲା ?

 

(ଗ) ସ୍ୱାଭିନ୍ନେ ସଖି ମୁଞ୍ଚ ମାଦୃଶି ଜନେ ତ୍ୱଂ ବଞ୍ଚନାନାଂଚୟଂ,

ନାତୀତାନବଧାନତା ଗ୍ରହିଳତା ନିର୍ମାତି ଶର୍ମାତ୍ମନଃ ।

ଜ୍ଞାନାତ୍ ବା ତଦଭାବତଃ ପଥି ରସେନାର୍ଦ୍ରାନ୍ତରେ ବନ୍ଧୁ ରେ,

ସଂପାତୋଦ୍ଭବ ହୃଦ୍‌ବ୍ୟଥାଂ ହର ପରାମୋଦଂ ଚ ନୋଦଂଚୟ ।

 

ଜ୍ଞାନେନ ବାଜ୍ଞାନେନ ପ୍ରଣୀତସ୍ୟାତୀତସ୍ୟାପରାଧସ୍ୟସ୍ମାରଣଶର-

ବିସରାସାରପ୍ରୟୋଗଶୀର୍ଣ୍ଣସାରାଂ ମାରାଶୁଗାଶୁଗବିଶେଷନିଃଶେଷ-

ସାମର୍ଥ୍ୟାଂ କିମାଳିମାଂ କଦର୍ଥୟସି ବ୍ୟର୍ଥମିତିଗଦିତବତ୍ୟାଂ

ସାମିଗଳିତଧୈର୍ଯ୍ୟୟାଂ କିଶୋର୍ଯ୍ୟାଂ ପୁନସ୍ତାଂ ପ୍ରତି ସଖୀ ସାକୂତଂ ।

 

ଅର୍ଥ-

ଶ୍ରୀମତୀ- ପ୍ରିୟ ସଖି,

ଜୀବନର ବନ୍ଧୁ ପରା ତୁହି !

ପ୍ରାଣ ଦିଆଦେଇ ତୋର ମୋର ?

ସୂତାଏ ହେଲେ ନାହିଁ ତ ଅନ୍ତରେ ଅନ୍ତର ।

 

ବଞ୍ଚନା କରନା ମୋରେ

ଜାଣି ଅବା ଅଜାଣତେ

ଯାଉ ଯାଉ ଚିକିଟା ରାହାରେ

ଖସଡ଼ି ତ ଯାଇଛି ଲୋ ପାଦ ।

ଆହା କରିବାକୁ

କେହି ସାହା ନାହିଁ ତୋହ ବିନେ ମୋର ।

 

ତୁହି ଏକା ଘୁଞ୍ଚାଇବାକୁ ସେ ଦରଦ ସିନା -

ଏ ବେଳରେ ସଖି !

ଶୁଣିଲେ ବରଜେ ଖାଲି ହସିବେ ଭଗାରି ।

ଦୋଷ ମୋର ପୁଣି ପୁଣି

ଉଗାରି ଉଗାରି

କାହିଁକି ଦେଉଛୁ ପୀଡ଼ା !

 

ଏକେ ତ କନ୍ଦର୍ପ-ବାଣ

ଦେଲାଣି ମୋ ସବୁ ଦମ୍ଭ ସାରି;

ସଜନୀ ଲୋ !

କଲବଲ ନ କର ତୁ ଆଉ ।

 

ତୂନୀ ହେଲେ ଏତେ କହି

କାତରେ ରାଧିକା ଯହୁଁ,

ଲଳିତା କହିଲା ତାଙ୍କୁ

ମନରେ ଗୋପନ ରଖି

ନିଜ ଅଭିପ୍ରାୟ ।

 

‘ଘ’

ଅନୁଚିନ୍ତା

ଘର ପର କରି, ଆରେ ସୁନାଗୋରୀ, କି କଲୁ କି ଭରମିଲୁ ?

ଘଡ଼ିଏ ହେଲେ ତୁ ସତେ ଆଗ ପଛ ମନରେ ନ ବିଚାରିଲୁ ।

ଘନସାର ବୋଲି ବୋଳି ହେଲୁ ଅଙ୍ଗେ କାଚକଣା କରି ସାର

ଘନ କଣ୍ଟା ବଣେ ପାଦ ନ ବଢ଼ାଇ ଘରେ ଫେର, ଘରେ ଫେର ।

 

-ଗୀତ-

ଘେନାଇଁ ଆମ୍ଭେ ଯେତେ କହିଲୁ ଗୋ,

ଘେନିଲୁ ନାହିଁ ବାଳା ପହିଲୁ ଗୋ ।

ଘୃତଘଟକୁ ଶିଖୀ                  ଶିଖା ପାଖରେ ରଖି

ଶିରୀଷଦେହା, ଏହା ସହିଲୁ ଗୋ ।ପଦ।

 

ଘସ୍ରନାଥନନ୍ଦନା                  ଅନାଉଣିକି ମନା-

କରୁ ଯେ ଥାଉଁ ହଟି ଚାହିଁଲୁ ଗୋ,

ଘଟୀ ସରିକି କରେ                  ନାହିଁ କି ବିବେକରେ

ମହାର୍ଣ୍ଣବରେ ଅବଗାହିଲୁ ଗୋ ।୧।

 

ଘୋଟି କିତବ ମୂଳ                  ଘୋରି ଘୋର ଜାଙ୍ଗଳ

ଜହର ତୁଲେ ତାହା ପିଇଲୁ ଗୋ,

ଘୁମାଇବାର ସମ୍ଭବିଲା            ନାହିଁ କି ଆମ୍ଭ

ସୁଯୋଗୁଁ ସିନା ବଞ୍ଚି ଅଇଲୁ ଗୋ ।୨।

 

ଘେନି ଘେନାଇଁ ଯାଇ            କହିବା ସମଯାଇ

ଘଟିଲେ ସିନା ଆମ୍ଭେ ଜୀଇଲୁଁ ଗୋ,

ଘଟଣା ବିରହରେ                  ଅବଶ୍ୟ ତ ଜହରେ

ତୋ ଘେନି ଆତ୍ମଘାତୀ ହୋଇଲୁଁ ଗୋ ।୩।

 

ଘୋଳାରେ ପଛେ ମରୁଁ            ଆଝୁ ତୋ ହୁକୁମରୁ

ନିକୁଞ୍ଜ ଦଉଡ଼କୁ ରହିଲୁଁ ଗୋ,

ଘାଣ୍ଟି ହେଉଛୁଁ ମାତ୍ର                  ଉନ୍ନିଦ୍ର ଶତପତ୍ର

ନେତ୍ରା ଯା ଆମ୍ଭ ବଶ ନୋହିଲୁଁ ଗୋ ।୪।

 

ଘନେ ଚପଳାଲୀଳା                  ଚାହିଁ ଘନକୁନ୍ତଳା

ତୁ କି ଏ ଅଭିଳାଷ ବହିଲୁଁ ଗୋ,

ଘାରିହେଲୁ କି ରସେ            ଅଷ୍ଟଦୁର୍ଗେଶ ଭାଷେ

ଅବଶ୍ୟ ମୋହନରେ ମୋହିଲୁ ଗୋ ।୫।

ରାଗ-କାମୋଦୀ । ତାଳ-ଏକତାଳୀ

 

-ଗୀତ କଥା-

ଲଳିତା :-

ସହୀ, ଆଗରୁ ତତେ ଯେତେ ବୁଝାଇ ସୁଝାଇ କହିଲେ ବି ସେ କଥାକୁ ତୁ କାନ ଦେଲୁ ନାହିଁ । ଜାଣି ଶୁଣି ଶ୍ୟାମ ପ୍ରେମରେ ଭଳିଯାଇ ଏତେ ବେଳକୁ ତୁଛାଟାରେ କଷ୍ଟ ଭୋଗୁଚୁ ସିନା ! ଏ ଘଟଣା ଘିଅ ଘଡ଼ିକି ନିଆଁ ଝାସରେ ଥୋଇଲାପରି ହେଲା ତ !

 

୧- ଯମୁନାକୁ ଅନାନା ବୋଲି କେତେ ମନା କରିନାହିଁ ତତେ ! ହଟୁଣୁ ତୁ ହଟକରି ଚାହିଁଲୁ । ହାତରେ ଘଡ଼ିଟିଏ ହେଲେ ନ ଥାଇ, ତୁ କୋଉ ବିବେକରେ ଦରିଆ ପହଁରିବାକୁ ମନ କଲୁ ମ ?

୨- ଗରଳ ସାଙ୍ଗରେ ଦୁଦୁରାମୂଳ ଘୋଟି ଲହି ଲାଙ୍ଗଳିଆ ମିଶାଇ ପିଇଦେଲୁ ତୁ । ଏମିତି ବିଷ ଖାଇଲେ ଲୋକ ଜୀଇବା ଅଠାଠିକ୍‌ ହୋଇଯାଏ । ହେଲେ, ତୁ ଟିକିଏ ମାତ୍ର ଘୁମାଇ ପଡ଼ିଲୁ ନାହିଁ ତ ! ଆମେମାନେ ଥିଲାକୁ ସିନା ଆମ ସାହାଯ୍ୟରୁ ତୁ ବରତି ଆସିଲୁ ।

 

୩- ହଉ, ଆମେ ଯାଇ ଘେନାଘେନିକରି ତୋ’ ଲାଗି ତାଙ୍କୁ କୁହା ପୋଛି କରିବୁଁ । ସେ ତୋ କଥାରେ ହଁ ଭରିଲେ ତ ଭଲ । ହେଲେ ଆମେ ସବୁ ତୋରି ପାଇଁ ବିଷଖାଇ ମରିବା କଥା ନିଧାର୍ଯ୍ୟ ଜାଣ

୪- ତୋ ଆଜ୍ଞା ପ୍ରମାଣେ ଆମ ଗୋଡ଼ ପଛେ ବିନ୍ଧାରେ ଫାଟି ପଡ଼ୁ, ଆଜିଠୁଁ କୁଞ୍ଜକୁ ଦୌଡ଼ିବାକଥା ମୂଳ । ହେଲେ ତୁ ଯେବେ ଆମ କଥା ଟିକିଏ ଶୁଣି ଥାଆନ୍ତୁ, ତେବେ ସହି, ଆମକୁ ଏତେ କଲବଲ ହେବାକୁ ପଡ଼ିନ୍ତା ନାହିଁ । ଏବେ ଆମେ ଖାଲି ଘାଣ୍ଟି ହେଉଚୁଁ ।

 

୫- ସଖୀ, ମତେ ଲାଗୁଚି ମେଘରେ ବିଜୁଳି ଝଟକ ଦେଖି ତୁ ଲୋଭେଇ ଯାଇଚୁ କି କ’ଣ ? ଘନଶ୍ୟାମଙ୍କର ମେଘବର୍ଣ୍ଣର କୋଳରେ ତୋ ସୁନା ଦେହ ବିଜୁଳିପରି କେମିତି ମାନିବ, ସେଇ କଥାରେ ତୋର ମନ, ନା ? (ଆଠଗଡ଼ ରାଜା ଅନୁମାନ କରୁଛନ୍ତି) ତେଣେ କାହ୍ନୁଙ୍କୁ ବି କିଶୋରୀ ନିଶା ଲାଗିଛି କି କ’ଣ ! ତାଙ୍କର ବୋଧେ ଏଇ ଅବସ୍ଥା ହୋଇଚି ।

 

(ଘ) ବନ୍ୟାମାର୍ତ୍ତଣ୍ଡକନ୍ୟାତଟନିକଟଭୁବଃ ପ୍ରେକ୍ଷଣଂ ନେଚିପଥ୍ୟଂ

ଭୂୟୋଽସ୍ମାଭିଃ ପ୍ରଯୁକ୍ତା ଶ୍ରବସି ନ ଲଗିତା ତୁଚ୍ଛକୁତ୍ସାଚିକିତ୍ସା ।

ବୈଦ୍ୟେ ସଦ୍ୟଃ ସମୁଦ୍ୟଦ୍‌ଗଦହୃତି ଚତୁରେ ଯବ୍ୟପେକ୍ଷାନବଦ୍ୟେ,

ଯ ମଃ କାମସ୍ୟପୂର୍ତ୍ତୌ ଗତିରିହ ଜଗତଃ କେବଳଂ ତେଽବଲମ୍ୱଃ ।।

 

ସ୍ୱାମିନ୍ୟନୁଜ୍ଞାନୁଲ୍ଲଙ୍ଘନଜଙ୍ଘାଳତୈବ ମାଦୃକ୍‌ପ୍ରିୟଜନପ୍ରଣୀତ-

ପ୍ରଜତ୍ମାନାମନୁପଥିକାପରିଣତିଃ ପରମେଶ୍ୱରାଧୀନଂ ତର୍କୟୋଦର୍କ-

ମିତ୍ୟୁକ୍ତ୍ୱ। ଶ୍ରୀକୃଷ୍ଣାନ୍ତିକଂ ପ୍ରବିଶ୍ୟ ବିଜ୍ଞାପୟାମାସ ଲଳିତା ।

 

ଅର୍ଥ :-

ଯମୁନା ତଟ ବଣକୁ ଅନାଉଁଣି ତୋର

ଅଣହିତ ବୋଲି ସଖି,

କେତେ ସତେ ନ କହୁଚୁଁ ତୋତେ ?

ମନା ତ ମାନିଲ ନାହିଁ ।

 

ଏବେ ଭୋଗିଲୁ ତୁ ଛାଏଁ ଛାଏଁ ଦୁଃଖ ।

ହେଲା ଯା ହେବାର ।

ବେଗେ ତୋର ଏ ରୋଗ ଯେ

ଆରୋଗ୍ୟ ପାରିବ କରି,

ସେଇଭଳି କବିରାଜ ପାଶେ,

ଯିବାର ମୁଁ ଉଚିତ ମଣୁଛି ।

 

ଯାଏଁ, ଦେଖେଁ,

ଭଗବାନ ଏକା ସାହା ତୋର

ଏ ବିପଦେ ସିନା !

 

ଠାକୁରାଣୀ,

ଆଜ୍ଞା ମାନି ତୋର,

ଥରକୁ ଥର ମୁଁ

ଯିବି ଆସିବି ଲୋ ରାଇ, କଳାକାହ୍ନୁ ପାଶେ ।

 

ଅକପଟ କର୍ତ୍ତବ୍ୟର

ଏହି ଏକା ପରିଣାମ ବୋଲି

ବିଚାରୁଛି ମନେ ମନେ ମୁହିଁ ।

ଫଳ କିନ୍ତୁ ଈଶ୍ୱର ଅଧୀନ ।

 

ପ୍ରବୋଧି ଏସନ ଶ୍ରୀମତୀରେ

ଚଳିଲେ ଲଳିତା ବେଗେ

ମୋହନ ପୁରତେ ।

 

‘ଙ’

ଅନୁଚିନ୍ତା

ନାଲି ରବି ଯେବେ ଚରମ ଅଚଳ ଛୁଇଁ ଛୁଇଁ ଆସୁଥାଏ,

ନୀଳ ଯମୁନାର ତୀର ବାଲୁଚରେ ଝରା ନୀଳ କଇଁ ପ୍ରାଏ ।

ନିରେଖି ନୟନେ ନଟବର ଛବି ପଚାରେ ଲଳିତା ସଖୀ ।

ନିପଟ ଧୂଳିରେ, ପହୁଡ଼ିଛ ଧନ, ମରିଯାଏଁ ସତେ ଏ କି ?

 

ଗୀତ

ନୂଆ ନଟପଟଳୀ ମୁକୁଟ ହେ, ନାହିଁକି ଶ୍ରୀଅଙ୍ଗ ସୁଖ ?

ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ ।ପଦ।

ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁଁ ଶ୍ରୀଅଙ୍ଗ,

ନାସା ନୀଳ ତିଳଫୁଲରୁ ଅନୀଳ ପ୍ରସରୁଛି ବେଗ ବେଗ ।୧।

 

ନୀପଉପବନ ନିକଟ ପବନ ସ୍ପରଶକୁ ଯେବେ ଡର

ନଦୀକୂଳ ସ୍ଥଳ ଏ ବଡ଼ ଶୀତଳ ନୁହନ୍ତା ଟି କି ବିହାର ।୨।

ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ,

ନବନୀତ ତହୁଁ ମୃଦୁ ଦେହେଁ କାହୁଁ ସମ୍ଭବିଲା ଏ କଦନ ।୩।

 

ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ,

ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼ି ଯାଉନାହିଁ ଜ୍ୱର ମନୁ ।୪।

ନ ବିହର ଗୋପସଙ୍ଖାଳି ! ଏ ପାପ ଗହନରେ କିଛି ଦିନ,

ନରେଶମଣ୍ଡନ ଶ୍ରୀ ହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ ।୫।

 

-ଗୀତକଥା-

ଲଳିତା କହିଲେ- କିହୋ, ନବ ଛଇଳ, ଏ କି ଅବସ୍ଥା ତୁମର ? ଚାନ୍ଦ ମୁହଁଟି ତ କାହିଁକି ନିହାତି ଶୁଖିଲା ଦିଶୁଛି ! ଦେହ କଅଣ ସୁଖ ନାଇଁକି ?

 

୧- ଦୂରରୁ ଚାହିଁଲେ ଦିଶୁଛି ସତେ ଯେମିତି ନୀଳ କଇଁଟିଏ ମଉଳି ପଡ଼ିଛି ! ନେଳିଆ ଖସା ଫୁଲ ପରି ସୁନ୍ଦର ନାକରୁ ତୁମର ଖର ନିଶ୍ୱାସ ପକାଉଛ ? କାହିଁକି ହେ, କଥା କଅଣ ?

୨- ସତରେ ଯେବେ ଦେହ ସୁଖ ଲାଗୁନାଇଁ, ତେବେ ଏଠିଟାରେ ଏମିତି କାହିଁକି ବୁଲୁଛ ? ଯମୁନା କୂଳରେ ଏଇ କଦମ୍ୱବଣର ଥଣ୍ଡା ପବନଟା ତମ ଦେହକୁ ଅଣହିତ କରିବ ଶ୍ୟାମ !

 

୩- ଆହା, ମରିଯାଉଥାଏଁ କିନା ! ଶୋଇ ପଡ଼ନ୍ତ ନାହିଁ ଟିକିଏ ହେଲେ ? ଦିନରାତି ଜମା କ’ଣ ତମକୁ ନିଦ ହେଉନାଇଁ କାହ୍ନୁ ? ଆହା, ଲହୁଣୀ ପିତୁଳାକୁ ଏ ଦଣ୍ଡ ସତେ କିଏ ଦେଲା ?

୪- ଶୁଣିଛି, ସ୍ୱର୍ଗରୁ ସୁନାବରନା ଅପ୍‌ସରୀଏ ନିତି ଏ ବଣକୁ ଫୁଲ ତୋଳି ଆସନ୍ତି । ନଜରରେ ତୁମର, ସେମାନେ ପଡ଼ିଗଲେ କି ? ସେଇଥିପାଇଁ ସତେ ଆଉ ତମ ମନ-ରୋଗ ଛାଡ଼ି ଯାଉନାଇଁ ?

୫- ଏ ବଣଟା ବଡ଼ ଖରାପ । ଗୋପ-ଜୀବନ-ଧନ, ତମେ ଦିନାକେତେ ଆଉ ଏଠି ଚଲାବୁଲା କରନାଇଁ । (ଶ୍ରୀ ହରିଚନ୍ଦନ ଜଗଦେବ ମହାରାଜାଙ୍କ) ଜଣାଣ ଘେନ ।

 

-ଶ୍ଳୋକାଂଶ-

(ଙ) ହାହା ହନ୍ତ ହତାସ୍ମି କେନ ବିଳସନ୍ନୀଳାଶ୍ମତେଜୋଘଟା-

ଧୁର୍ଯ୍ୟଂ ପର୍ଯ୍ୟୁଷିତୋତ୍ପଳାବଳିରୁଚା ମାସୀନ୍ନିଧିସ୍ତେ ବପୁଃ ।

ନାତ୍ର କ୍ରୀଡ଼ୟ ପଞ୍ଚଷାଣ୍ୟପି ଦିନାନ୍ୟଂମ୍ଭୋରୁହାକ୍ଷାର୍ଭକାନ୍‌,

ବାର୍ତ୍ତଂ ନେଦମଖଣ୍ଡ ଶୈନ୍ୟବିଭବଂ ମାର୍ତ୍ତଣ୍ଡପୁତ୍ତ୍ର୍ୟାସ୍ତଟଂ ।।

 

ଚନ୍ଦ୍ରକାପୀଡ଼ସୁନ୍ଦରେନ୍ଦ୍ର କିଶୋରଚକ୍ରଚୂଡ଼ାମଣେ ତାଦୃଙ୍ନି ରଳସକେଳିକଳାକଳାପଲାଳନଲଳିତାୟ ବପୁଷେ ଭବତୋ ଭବତି ନ କିଂ ହିତମଶ୍ରାନ୍ତାଂ ବାହିନୀତଟପର୍ଯ୍ୟଟନଂ ।

 

ଅର୍ଥ-

ଲଳିତା-

କାହିଁକି ହେ ଶ୍ୟାମ !

ଇନ୍ଦ୍ର ନୀଳମଣି ଜିଣି

ସୁନ୍ଦର ଯେ ତନୁ,

ମଳିନ ଦିଶୁଛି ଆଜି

ବାସି ହେଲା ନୀଳ କଇଁ ସରି ?

 

ଦେଖି ସତେ ଦୁଃଖ ଲାଗେ ମନେ ।

ଅଣହିତ ମଣୁଛି ମୁଁ

ଯମୁନା-କୂଳିଆ ଶୀତ ବାଆ ।

 

ପାଞ୍ଚ ଛଅ ଦିନ ତୁମ୍ଭେ

ଗୋପାଳ ବାଳକ ତୁଲେ

ଛାଡ଼ି ଦିଅ ଖେଳାବୁଲା ଢଙ୍ଗ ।

ହେ ଶିଖୀଚୁଳିଆ, ନବଯୁବକ ପ୍ରଧାନ !

 

ଦଇବେ ତ ଅତି ସୁକୁମାର ତୁମ୍ଭେ

ମନେ ଆସେ ମୋର,

ନିତିଦିନ ଯମୁନା ତଟରେ ଆଉ

ନ ବୁଲ ଏଥର,-

ଯାଉନାହିଁ ଦେହରେ ତୁମ୍ଭର ।

ଶୁଣି ଲଳିତା ବଚନ,

କହିଲେ କହ୍ନାଇ,-

 

‘ଚ’

ଅନୁଚିନ୍ତା

ଚନ୍ଦ୍ରକଚୁଳିଆ କହିଲେ ସଜନୀ, ମଳୁ ଲୋଡ଼ିଥିଲା ଯାହା,

ଚଞ୍ଚଳ ଦଇବ କେଡ଼େ ଭାଗ୍ୟ ବଳେ ଯୋଗାଇଲା ଆଣି ତାହା !

ଚତୁରୀ ରେ, ଶତେ ଜନମରେ ତୋର ସୁଝି ନ ପାରିବ ଋଣ

ଚାପି ରଖି ଆଉ କାହାରେ କହିବି ମନର ବେଦନା ଶୁଣ ।

 

-ଗୀତ-

ଚାହିଁ ଚାହିଁ ତୋ ସରଣୀ            କକୁଭକୁ ରେ ତରୁଣୀ,

ଚିତ୍ରାର୍ପିତ ପରି ଥିଲି ବସି,

ଚିତ୍ର ମଣିଲି ମୁଁ ତୋତେ,            ଚାହିଁ ଯା ଅତରକିତେ

ଚାରିଚକ୍ଷୁ ମିଶାଇଲୁ ଆସି ରେ, ଚଳାପାଙ୍ଗୀ !

 

ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି            ଚିର ତୃଷିତର ମୁଖେ ଭରି,

ଚାତୁର୍ଯ୍ୟ କୃପାଳୁ ଗୁଣ-ନିଧି ରଖିଲୁ କି ପ୍ରାଣ

ଘେନିଲି ମୁଁ ଏତେ ସରି କରି ରେ ।୧।

 

ଚେତାଥିଲା ପରି କିଛି            ପ୍ରତୀତ ତ ହେଉଅଛି

ଚିକ୍‌କଣ ତ ଦିଶୁଛି ମୋ ଦେହ,

ଚିହ୍ନି କି ଲାଞ୍ଛନ ସତେ            ଚାମରଚିକୁରା ! ମୋତେ

ଚହକାଇ ପଚାରିଲୁ କହ ରେ, ଚଳାପାଙ୍ଗି !

 

ଚୁମ୍ୱି ରବିନନ୍ଦନାର ନୀର            ଚନ୍ଦ୍ରିକାଚୟ ତୁଷାରସାର

ଚାରୁ ମାରୁତର ତରୁ-ତଳ ଶୀତଳ ହେତୁରୁ

ଚିନାଏ ତ ଖେଦ ନାହିଁ ମୋର ରେ ।୨।

 

ଚାରି ହରିତରେ ଘେରି            ଚରାଉଥାନ୍ତି ବାଛୁରୀ

ଚୂଳମୁକୁଟିଆ ସଖାମାନେ,

ଚିରାମରା ଶୃଙ୍ଗ ବେଣୁ            ବାଦ୍ୟନାଦ ଶୁଣୁ ଶୁଣୁ

ଶେଷ ହୁଏ ଦିନ ଦିନେ ଦିନେ ରେ ଚଳାପାଙ୍ଗି !

 

ଚୁମ୍ୱି ବାରୁଣୀକି ଦିନଦ୍ୟୁତି            ଚପଳେ ଅମ୍ବର ବରଜନ୍ତି,

ଚରମଭାଗ ମୋ ଭାରି ଲାଗି ନାହିଁ ଭ୍ରମେ ଡରି

ଚମକିତ ନାହିଁ ମୋର ଛାତି ରେ ।୩।

 

ଚାମୀକର ଚାରୁଶିରୀ-            ମତି ସେ କେଉଁ ଅମରୀ

ଚାଖି ନାହିଁ ଦିନେ ମୋ ନୟନ,

ଚମତ୍କାର କଥା ଦେଖି            କପଟ ପେଟରେ ରଖି

ତୋତେ ନିକି ନ କହନ୍ତି ଧନ ରେ ଚଳାପାଙ୍ଗି !

 

ଚରାଚର ଚାଲି ଭୟମୟ            ଚକଟି ଦେଲୁ ମୋ ହୃଦାଶୟ

ଚରଣ ଯୁଗକୁ ତୋର ବନ୍ଦେ ଅଷ୍ଟଦୁର୍ଗେଶ୍ୱର

ଚୋରି ନାହିଁ ଥିଲେ ହେଁ ବଞ୍ଚାଅ ରେ ।୪।

ରାଗ-ପଞ୍ଚମ ବରାଡ଼ୀ । ତାଳ-ତ୍ରିପୁଟା

 

ଗୀତକଥା

୧- ତୋ’ ବାଟ ଚାହିଁ ଚାହିଁ ମୁଁ କାନ୍ଥପିତୁଳାଟି ପରି ବସି ରହିଥିଲି ସହି ! ଏତିକି ବେଳକୁ ତୁ ମନ ଜାଣିଲାପରି ଅଚାନକରେ ଆସି ଆଖିରେ ଆଖି ମିଶେଇ ଦେଲୁ । ସତେ ଯେମିତି, କାଳ କାଳର ଶୋଷୀ ତୁଣ୍ଡରେ ତୁ ଚନ୍ଦ୍ରରୁ ଅମୃତ ଚିପୁଡ଼ି ତାକୁ ଜୀଆଇ ଦେଲୁ । ଦୟାବତୀ ଚତୁରୀ ଲୋ, ତୋ ଆସିବାଟା ମତେ ଠିକ୍‌ ସେମିତି ଲାଗିଲା ।

 

୨- ମତେ ତ ଲାଗୁଚି ମୋର ବେଶ୍‌ ଚେତା ଅଛି । ଦେହ ତ ମୋର ଚିକ୍‌କଣ ଦିଶୁଚି । ଆଉ ତୁ କ’ଣ ଏମିତି ବାରି ମୋ ଦେହ ସୁଖ ନାହିଁକି ବୋଲି ପଚାରିଲୁ ମ ? ସତରେ ସୁନ୍ଦରୀ, ଯମୁନା ପାଣି ପିଇ, ଚନ୍ଦ୍ରର ଶୀତଳ କିରଣ ତଳେ ବୁଲି, ସୁନ୍ଦର ପବନ ବାଜି ଗଛ ଛାଇଟି ବଡ଼ ଥଣ୍ଡା ଲାଗୁଥିବାରୁ ଟିକିଏ ଏଠି ବସିପଡ଼ିଥିଲି । ତୋ’ କଥା ଶୁଣି ମୁଁ ତାଟକା ହୋଇଗଲି ।

 

୩- ମଥାରେ ସୁନ୍ଦର ଚୂଳ ବାନ୍ଧି, ସାଥି ପିଲାଏ ମୋ ଚାରିପାଖଯାକ ବୁଲି ବୁଲି ବାଛୁରୀ ଚରାଉ ଥାଆନ୍ତି । ସିଙ୍ଘା, ବେଣୁନାଦ ଶୁଣୁ କେତେବେଳେ ମୋ ଦିନ କୁଆଡ଼େ ସରିଯାଏ; ମୋଟେ ଜଣା ପଡ଼େ ନାହିଁ । ସୂର୍ଯ୍ୟ ପଶ୍ଚିମରେ ବୁଡ଼ି ଯାଆନ୍ତି ଏମିତି ଦିନେ ଦିନେ । କାହିଁ କେବେ ହେଲେ ତ ମୋ ପିଠିପଟ ମାଡ଼ି ମାଡ଼ି ପଡ଼ିନାହିଁ କି ଛାନିଆଁରେ ଦିନ ହେଲେ ତ ମୁଁ ଚମକି ନାହିଁ ।

 

୪- ଆଖି ମୋର ଦିନେ ହେଲେ ସୁନାବରନା ଅପ୍‌ସରୀ କେମିତିକା ବୋଲି ତ ଦେଖି ନାହିଁ । ସହୀ ମ, ଏତେ ବଡ଼ ତାଟକା କଥାଟାଏ ଦେଖି ମୁଁ କ’ଣ ସତେ ଆଉ ତତେ କହି ନଥାନ୍ତି ? ତୋ’ କଥା ଶୁଣି ମନଟା ମୋର ଖାଲି ଘାଣ୍ଟିଚକଟି ହେଉଚି । ମୋ ଜାଣିବାରେ ମୁଁ କାହାରି କିଛି ଚୋରେଇ ନାହିଁ ତ । ଆଉ ଯଦିବା ସେମିତି କିଛି ହେଇଥିବ, ମତେ ତୁ ବଞ୍ଚାଅ । (ଆଠଗଡ଼ ରାଜା ତୋ’ ପାଦତଳେ ପଡ଼ୁଚନ୍ତି)

 

-ଶ୍ଳୋକାଂଶ-

(ଚ) କଲ୍ୟାଣଂ ବଲ୍ଲବାନାଂ ବିଗଳିତବୟସାଂ କିଂ ସ୍ୱଦାରୈରୁଦାରୈଃ

କାଚ୍ଚିଦ୍‌ ବାଳାବଳୀନାଂ ଶ୍ରୟମନୁଭବସି ପ୍ରତ୍ୟହଂ ସତ୍ୟସନ୍ଧେ,

ଦୀନଶ୍ଚିନ୍ତାମଣୀନାଂ ତତିମିବନିତରାଂ ତ୍ୱାଂ ପ୍ରପଦ୍ୟାସ୍ମି ତୁଷ୍ଟ-

ଶ୍ଚିତ୍ରଂ ସନ୍ଧ୍ୟାତମାତ୍ରା ବିଧୁମୁଖି ମମ ଯତ୍‌ଯାସି ନେତ୍ରାତିଥିତ୍ୱଂ ।।

 

କିମଦ୍ୟ ଲଳିତେ ଧରିତ୍ରୀପୁତ୍ରଚରମସଞ୍ଚାରଚିରାବଗ୍ରହଗ୍ରହିଳରବି-ଗ୍ରହକରନିକରବ୍ୟତିକରତପ୍ତାଙ୍କୁରକେଦାରଂ ପ୍ରତି ବୃଷ୍ଟ୍ୟେବ ଦିଷ୍ଟ୍ୟାତ୍ର ପ୍ରବିଷ୍ଟଂ ସୃତମାତ୍ରୟା ତ୍ୱୟା ।

 

ଅର୍ଥ : -

‘‘ଲଳିତେ ଗୋ,

ସୁଖରେ ଅଛନ୍ତି ନିକି

ବୃଦ୍ଧ ଯେତେ ବରଜ ଗୋପାଳେ

ଘେନି ତାଙ୍କ

ଉଦାର ସ୍ୱଭାବଶୀଳା

ଗୋପର ଗୋପୀକା ?

 

ସତେ ଲୋ ସୁନ୍ଦରୀ !

ସ୍ମରଣ ମାତ୍ରକେ, ଯାହା

ମିଳିଲା ତୋ ଶୁଭ ଦରଶନ

ମଣିଲି ମୁଁ,

ଦରିଦ୍ର ଲଭିଲା ସରି

ଏକାବେଳେ କୋଟି ଚିନ୍ତାମଣି ।

 

ଖର ରବି କରେ

ଜଳି ପୋଡ଼ି ଯାଉଥିବା କ୍ଷେତ୍ର

ମଙ୍ଗଳ ଚଳନ ବେଳେ

ପ୍ରବଳ ବରଷା ଲଭି

ସୁଖେ ଯଥା ତୋଳେ ମଥା ତାର;

ସେହିମତି-

ଭାଗ୍ୟବଳେ ମୋର

ଆସିଲୁ ଗୋ ଲୋଡ଼ିଲା କାଳରେ ।

 

ଜାଣୁଛି ମୁଁ-

ହେବି ନିଶ୍ଚେଁ ପୂର୍ଣ୍ଣମନୋରଥ ।

-ଶ୍ୟାମ ମୁଖୁ ଶୁଣି ଏହି ବାଣୀ

କହିଲେ ଲଳିତା :-

 

‘ଛ’

ଅନୁଚିନ୍ତା

ଛଳେ ନାରୀ ଜାତି ପୁରୁଷରେ ନିତି ଜିତି ପରା ଛତି ଟେକେ,

ଛପାଛପି କଥା ନ ପଟେ ତା’ ପଟେ ମନେ ପଶି ମୁଖ ଦେଖେ ।

ଛାଣି ନେଲା ସର କଥାରୁ ଲଳିତା ସହଜେ ସିହାଣୀ ସେତ

ଛାଟି ଶିରୀମୁଖ କହିଲା :- ମୋହନ ଛଦରମ କଥା ଏ ତ ।

 

ଗୀତ

ଛଳବାହୀନୀଶ ହେ । ଛାଡ଼ ଏ ସାହସ ହେ ।ପଦ।

ଛବି ତ ଆବିଳ ଦିଶେ, ଛପିବାର ଅଛି କି ସେ ।୧।

ଛଟା କାହା କଟାକ୍ଷର । ଛୁରୀ ହେଲା କି ବକ୍ଷର ।୨।

ଛେଲରୁ ତ ଚିନ୍ତା ବଳି, ଛାତିରେ ଗଲାନି ଗଳି ।୩।

 

ଛୁଟି ଯାଇ ବି ଚେତନା, ଛଟପଟ ହେବ ସିନା ।୪।

ଛଣା ସୁଧା ପରା ଦିଶେ, ଛୁଇଁ ଦେଲେ ବିଷଟି ସେ ।୫।

ଛନ୍ଦି ମନ ତୁମ୍ଭ ଗୁଣେ । ଛ ଦୁଇ ଦୁର୍ଗେଶ ଭଣେ ।୬।

ରାଗ-ମୁଖାରୀ । ତାଳ-ତ୍ରିପଟା

 

-ଗୀତକଥା-

୧- କପଟିଆ ! ସାହସୀ ଆପଣ କରି ଆଉ କଥା ଗୁରାଏ କହ ନାହିଁ । ରୂପ ତ ମଳିନ ଦିଶୁଚି । ଯେତେ ଠକିଲେ କ’ଣ ହେବ ?

୨- ଏକଥା କ’ଣ ଲୁଚେ ? କୋଉ ନାଗରୀର ନୟନ କଟାରୀ ବାଜି ତା ଛାତିରେ ଘାଆ ହେଲାଣି କି କ’ଣ ?

୩- କୁନ୍ତରୁ ବଳି କରି ସେଇ ଚିନ୍ତା ତମ ଛାତିରେ ଭୁକିଗଲାଣି ।

 

୪- ତମର ଭଲ ମନ୍ଦ ଜ୍ଞାନ ଏଥର ବୁଡ଼ିଯାଇ ଖାଲି ଛଟ ପଟ ହେବ ସିନା ।

୫- ଚାହିଁଦେଲେ ଅମୃତ ପରି ସିନା, ବାକି ଛୁଇଁଲେ ସେ ବିଷ ଟି !

୬- ତମ ଗୁଣରେ ମନ ମଜାଇ ଆଠଗଡ଼ ରାଜା ଏକଥା କହିଲେ ।

 

ଶ୍ଳୋକାଂଶ

[ଛ] ଅଜ୍ଞାନାଭିନୟଂ ବିହାୟ ଋଜୁତା ମାଲିଙ୍ଗୟିତ୍ୱା ମନ-

ଶ୍ଚାଞ୍ଚଲ୍ୟାଦବିରମେତ୍ୟୁଦୀରୟ ଭବନ୍ନେତ୍ରାଞ୍ଚଳୋଦଞ୍ଚନଂ ।

ନେ ଚେଦା ଦଧିବଶାଦସାରଦଦଶା ମେତ୍ୟେଦୃଶଂ ସୁନ୍ଦରୀ

କାନ୍ତା ସଞ୍ଚୟପଞ୍ଚସାୟକ ବପୁସ୍ତେକ୍ଷାମତା ମେଷଂଡ଼ି ।

 

ମୋହନ ନଟପଟଳୋଦ୍‌ଭଟମୁକୁଟମଣେନାନ୍ତଃ ସନ୍ତାପମନ୍ତରେଣ ଫଳମିତି ପ୍ରତୀୟତେ ତବକୈତବକୁଶଳତାଲତାୟାଃ ।

 

ଅର୍ଥ :-

ଲଳିତା କହିଲେ :-

ଛଳ ଛାଡ଼ ଛଇଳ କହ୍ନାଇ,

ହୁଅ ହେ ସରଳ,

ଦୂରକର ମନ ଚଞ୍ଚଳତା ।

 

କହିଦିଅ ମୋତେ ଶ୍ୟାମ,

ନୟନ ସଙ୍କେତେ-

ଘେନା କଲ କଥା ମୋର ବୋଲି;

ନୋହିଲେ ଜାଣିଥା’

କାମିନୀ ମନମୋହନ ଏ ସୁଠାମ ତନୁ

କ୍ଷୀଣ ହେବ ସିନା ମିଛେ,

ମନ ସନ୍ତାପରେ ।

 

ନାଟୁଆ ନାଗର,

କପଟ-ତରୁରେ ଭଲା

ଅନ୍ତର୍ଦାହ ବିନା କହ,

କି ଫଳ ଫଳିବ ଆଉ ?

 

‘ଜ’

ଅନୁଚିନ୍ତା

ଜାଣନ୍ତି ମୋହନ ଜଗି ନାରୀ ମନ ବିନୋୟି ଭଣିଲେ ତେଣୁ,

ଜପ, ତପ, ଯତି-ମତି ମୋହନା ସେ କିଶୋରୀଟି ଏକା ଯେଣୁ ।

ଜର-ଗର ସରି, ଦେହେ ତାତି ଭରି ଦେଉଅଛି ମୋରେ ସାରି,

ଜଟିଳା ନୋହି ତୁ ଲଳିତା ସଜନୀ, ସାହା ହୁଅ ଆହା କରି ।

 

-ଗୀତ-

ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ,

ଯାହା ଇଚ୍ଛା ତୋର ତାହା କର,

ଜ୍ୱଳନରୁ ବଳି ସେହିଦିନୁ କେଳି-

କରେ, ବିଭାବରୀନାହାକର ।ପଦ।

 

ଜଣକେତେ ବ୍ରଜଶିଶୁ ଥିଲେ ନିଜ ପୁରୁଁ

ଆସୁଥିଲି ଖେଳାଇ ସମଜ,

ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର

ପୁରେ ହେଲା ମୋ ନଜର ।୧।

 

ଜାତି କୁରୁବିନ୍ଦ ବାତାୟନବୃନ୍ଦ,

ଅନାଇଁ ମୁଁ ଚାଲୁ ଥିଲି ମନ୍ଦ ମନ୍ଦ,

ଜଙ୍ଗମ ହେବାର ଜମ୍ବୁନଦ ସାର

ଶୀରି ସ୍ଫୁରିଲା ସେ କି ପ୍ରକାର ।୨।

 

ଜୀବନଦ-ନୀଳଜଳଜଯୁଗଳ

ବିଧୁ ବିମ୍ୱେ ହୋଇ ବିଳାସ ବିଲୋଳ,

ଜାତ କଲା ଗର ଜରଜର ଶର-

ନିକର ବରଷା ଖରତର ।୩।

 

ଜହରକୁ ଗୋଳି ଦେଲାପରି ଗିଳି

ଦେହରେ ମୋହର ପୀଡ଼ାଗଲା ବଳି,

ଜୀବନାଶ ଟଳି ଯାଉଅଛି କଳି

ପାରୁନାହିଁ ମୁଁ ମୋ ହୃଦନ୍ତର ।୪।

 

ଜନମନୋହାରୀ ସେ ବିଚିତ୍ର ଶିରୀ,

କାହା ନେତ୍ର-ପାତ୍ରେ ଯାଇନାହିଁ ପୂରି,

ଜଗଦ୍ଦେବ ହରିଚନ୍ଦନ ମୋହରି

ନାମ କହୁଅଛି ନିରନ୍ତର ।୫।

ରାଗ-କେଦାର । ତାଳ-ତ୍ରିପୁଟା ।

 

-ଗୀତକଥା-

ଲଳିତେ, ଚନ୍ଦ୍ରକିରଣ ମୋତେ ସେହିଦିନରୁ ନିଆଁ ଧାସପରି ଲାଗୁଚି । ମୁଁ ଏତିକି ମାତ୍ର ଜାଣୁଚି, ଏଣିକି ତୋର ଯାହା ମନ ତା’ କର ।

 

୧- ଦିନେ ଘରୁ ମୁଁ ସାଥୀମାନଙ୍କ ସଙ୍ଗରେ ଗାଈ, ବାଛୁରୀ ଗୋଠରୁ ଖେଳେଇ ବୁଲେଇ ଆଣିବା ବେଳକୁ ବାଟରେ ଗୋଟିଏ ବଡ଼ଘର ଦେଖିଲି । ମନେହେଲା ଯେମିତି ସେ ଘରଟି ଇନ୍ଦ୍ରନୀଳମଣି ପାହାଡ଼ଠାରୁ ଆଉରି ବଡ଼ ।

୨- ସେଇ ଘରର ଝରକାଗୁଡ଼ିକ ଭଲ ରଙ୍ଗ-ପଥରରେ ଗଢ଼ା । ତାକୁ ଚାହିଁ ଧୀରେ ଧୀରେ ଆସୁ ଆସୁ ଘରଭିତରେ ଗୋଟିଏ ବିଚିତ୍ର ଚଳନ୍ତି ସୁନା ପ୍ରତିମାଟିର ଚହଟ ମୋ ଆଖିରେ ପଡ଼ିଲା ।

 

୩- ସହି, ଚନ୍ଦ୍ର ଆଉ ପଦ୍ମ ଏକାବେଳରେ ଫୁଟିବା ଅସମ୍ଭବ ସତ, ବାକୀ ସେଇଠି ମୁଁ ଦୁହିଙ୍କି ଏକାଠି ଦେଖିଲି, ବର୍ଷଣା ମେଘପରି ନୀଳପଦ୍ମ ଦୁଇଟି ଯେମିତି ଚନ୍ଦ୍ରମଣ୍ଡଳ ଭିତରେ ଢଳ ଢଳ ହେଉଥିଲା । ଆଉ ସେଥିରୁ ବିଷବୋଳା ଶରଗୁଡ଼ିଏ ବର୍ଷାପରି ବାହାରି ଆସି ମୋତେ କଲବଲ କରି ପକାଇଲା ।

 

୪- ବିଷକୁ ଗୋଳିକରି ପିଇଲେ ଯେମିତି କଷ୍ଟ ହୁଏ, ସେଇ ଶର ମୋ ଦେହରେ ବାଜି, ତା’ ଠାରୁ ବଳିକରି ପୀଡ଼ା ଦେଲା । ମୋର ଯେମିତି ଆଉ ଜୀବନର ଆଶା ନାହିଁ । ହୃଦୟ ଭିତରଟା ଯେ କଅଣ ହୋଇ ଯାଉଛି, ମୁଁ କହିପାରୁ ନାହିଁ।

୫- ସେ ମନୋହର ବିଚିତ୍ର ଶୋଭା ଦେଖି ଭଲା କାହା ଆଖି ପୂରିଉଠି ନାହିଁ ?

ହରିଚନ୍ଦନ ଜଗଦ୍ଦେବ ସବୁବେଳେ ମୋ ନାମ ସ୍ମରଣ କରୁଚନ୍ତି ।

 

ଶ୍ଳୋକାଂଶ

ତ୍ୱତ୍‌ସ୍ନେହଜାଭ୍ୟୁଦୟିନା ତ୍ୱୟି ନାପଦେଶଃ

ସଂସ୍ପୃଶ୍ୟତେ ମମ ହୃଦା କଥୟାମି ତଥ୍ୟଂ

ବସ୍ତ୍ୱେକମସ୍ତ୍ୟସିତ ସୌଧଲସଦ୍‌ବିଳାସଂ

ତଦ୍‌ ବୀକ୍ଷଣାଦିଗଦ ଈଦୃଶ ଉଲ୍ଲଲାସ ।

 

ସହଚରୀ ଲଳିତେ, ବିମଳଜଳଦଳନୋପଳପ୍ରାସାଦଚୂଳଚେଳବଲ୍ଲରୀ ଖେଳାଲୋଳଲୋଚନେନ ମୟା ପିଷ୍ଟପୋତ୍କୃଷ୍ଟ ଚେଷ୍ଟାବିଶିଷ୍ଟା କାଚନକାଞ୍ଚନମୟୀ ସଞ୍ଚାରିଣୀ ପାଞ୍ଚାଳିକା ତଦଧଃ ସମୀରାୟନୋପକଣ୍ଠେ ଯତ୍‌ପ୍ରଭୃତ୍ୟବଲୋକି ତତ୍‌ପ୍ରଭୃତ୍ୟେତାଦୃଗବସ୍ଥେନ ମାୟା ସ୍ଥୀୟତ ଇତି କେବଳଂ ଜାନାମି ।

 

ଅର୍ଥ :-

ସ୍ନେହ ତୋର ଏକା ମୋର

ଆନନ୍ଦ-ସର୍ବସ୍ୱ ।

କପଟ କରିବି କାହା ପାଶେ ?

ସତ୍ୟ ମୁହିଁ କହୁଚି ଲଳିତେ !

 

ଇନ୍ଦ୍ରନୀଳମଣି ଗଢ଼ା

ନବରରେ ସଖି !

ଖେଳୁଥିବା

ଅଜଣା କାହାରେ ଦେଖି

ଜାତ ହେଲା ଅଙ୍ଗେ ମୋର

ଏ ବିଷମ ବ୍ୟାଧି ।

 

ଉଡ଼ୁଥିଲା ବଇରଖ ସେ ନବର ଶିଖେ,

ଚାହିଁ ତାକୁ ଚାଲୁ ଚାଲୁ ବାଟ

ଚମକି ଉଠିଲି ଦେଖି

ସେ ନବର ବାତାୟନ ପଟେ,

ଅପରୂପ ସୁନ୍ଦରୀଏ;-କନକ ବରଣୀ

ଗଲା ଚାଲି ଆଖିର ପଲକେ ।

 

ସେହି ଦିନୁ-

ସେହିଦିନୁ ସଖୀ ସତେ

ଘଟିଛି ଏ ଦୁରୁଦଶା ମୋର;

ଏତିକି ମାତ୍ରକ ଜଣା ମତେ ।

 

‘ଝ’

ଅନୁଚିନ୍ତା

ଝଳି ନାହିଁ ମୁଖେ, ଶ୍ୟାମ ତନୁଶିରୀ ଝାଉଁଳା ତମାଳ ସରି,

ଝାଙ୍କିଛି ଅମଳ- ଏ କଥା ନିର୍ମଳ ଛଇଳା ପାରିଲା ବାରି ।

ଝରାଫୁଲ କଳି କଳି କିଶୋରୀରେ କାହିଁକି ବିଚାର ଭଲା ?

ଝାଡ଼ ବିନୋଦିଆ ! ଏ କି କଲ ବୋଲି ଲଳିତା ଭଣିତା କଲା :-

 

-ଗୀତ-

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ।

ଝିମିଟ ହେବାକୁ ସହସ୍ରେ ଯାମ ।ପଦ।

 

ଝାଉଁଳିବା ନବ ତମାଳ ରମା, ଝିଙ୍କିଆଣି ଅଙ୍ଗେ କଲଣି ଜମା ।୧।

ଝଡ଼ିବ ବଳ କୋମଳ ଛାତିରୁ, ଝଷଧ୍ୱଜ ଝାଞ୍ଜିପୀଡ଼ା ତାତିରୁ ।୨।

ଝୁମି ଝୁମି ଲୁଠି ପୃଷ୍ଠେ ରସାର, ଝୁରିବାର ଏକା ହୋଇବ ସାର ।୩।

 

ଝଳି ପାଞ୍ଚାଳୀ ଝଟକେ ନାହିଁକି ? ଝୋଲାମାଇଲା ତୁମ୍ଭଙ୍କୁ କାହିଁକି ? ।୪।

ଝଲକି ଗଲ କୃଷ୍ଣ ଅକାରଣେ, ଝାଡ଼ଖଣ୍ଡରସା ବାଦସା ଭଣେ ।୫।

ରାଗ-ଝିଂଝୋଟି । ତାଳ ଝୁଲା

 

-ଗୀତକଥା-

ଲଳିତା କହିଲେ :-

ଶ୍ୟାମ, ମିଛଟାରେ ତମେ ଧନ୍ଦି ହେଉଚ ସିନା ! ତମକୁ ଖାଲି ମୁହୂର୍ତ୍ତକ କାଳ ହଜାର ରାତିପରି ଲାଗିବ ।

୧- ଛାଏଁ ଛାଏଁ ନିଜ ଦେହକୁ ଝାଉଁଳି ପଡ଼ିଥିବା ଗଜା ତମାଳ ପରି କଲଣି ।

୨- ଏଣିକି କନ୍ଦର୍ପ-ପୀଡ଼ା ତମକୁ ଝାଞ୍ଜି ପବନ ପରି ବାଧିବ । ଛାତିରୁ ତମର ବଳ ଓହରିଯିବ ।

 

୩- ତମେ ନିଶା ଖାଇବା ଲୋକ ଭଳି ଭୂଇଁରେ ଗଡ଼ି ଝୁରିବାଟା ସାର ହେବ ସିନା, ନୋହିଲେ ଆଉ କିଛି ଫଳ ନାହିଁ ।

୪- ସୁନା ପିତୁଳା କ’ଣ ଚକ ଚକ ଦିଶେ ନାହିଁ ଯେ ତମକୁ ଏଥିପାଇଁ ଝୋଲା ମାରିନେଲା କାହିଁକି ?

୫- ଝାଡ଼ଖଣ୍ଡ ଆଠଗଡ଼ର ରାଜା କହିଲେ ‘‘କୃଷ୍ଣ, ତୁଚ୍ଛାଟାରେ ତମେ ଭଳିକି ଗଲ ସିନା ।’’

 

-ଶ୍ଳୋକାଂଶ-

ଖର୍ବଃ ପାର୍ବଣଶର୍ବରୀରତିଗୁରୋରାପୀଡ଼୍ୟ ବିମ୍ୱଂ କ୍ଷୁଧା,

ମର୍ତ୍ତ୍ୟଃ କ୍ୱାପି ସୁଧାମମୂତ୍ର ବସୁଧାଲୋକେ ପିବତ୍ୟାତୁରଃ ।

ବ୍ୟର୍ଥଂ ପ୍ରାର୍ଥନୟା କଦର୍ଥୟସି ମାଂ ଗତ୍ୱା ଦୁରାଶାଂ କଥମ୍‌,

ସା କିଂ ମଦ୍‌ବଶମେତି ହନ୍ତ ବିୟତସ୍ତାରାଧିକା ରାଧିକା ।

କେଶବ, ଲୂତାତନ୍ତୁବଳୟବାଗୁରାଭିଃ କଣ୍ଠୀରବରାଜୀବ ରାଜୀବଲୋଚନା ସାସ୍ମ ଦୃଶୀଭିର୍ବଶୀକର୍ତ୍ତୁମଶକ୍ୟା ।

 

ଅର୍ଥ :-

ବିଚାରିଲ ଘନଶ୍ୟାମ !

ଏ ଜଗତେ ଦେଖିଛ କି କାହିଁ

ପୂର୍ଣ୍ଣଚନ୍ଦ୍ର ଚିପୁଡ଼ି, ବାମନ

ମେଣ୍ଟାଇଛି କ୍ଷୁଧା ସୁଧା ପିଇ ?

 

ଅକାରଣେ ଅସମ୍ଭବ କଥା ପୋଷି ମନେ

କାକୁତି ମିନତି ସିନା କରୁଛ କହ୍ନାଇ !

ବୁଢ଼ିଆଣୀ ସୂତା କାହିଁ ବାନ୍ଧିଛି ସିଂହକୁ ?

 

ଅସମ୍ଭବ ଆଶା ।

କମଳ-ନୟନା ରାଧା,

ଭଳିବ କି ଆମ୍ଭରି ବଚନେ ?

 

ଧରା ଦେଲେ ଦେଇପାରେ

ଆକାଶର ତାରା,

ହେଲେ; କିଶୋରୀ କି ଧରାଦେବ

କଥାରେ ମୋହର ?

 

‘ଞ’

ଅନୁଚିନ୍ତା

ନୀଳଇନ୍ଦ୍ରୀବର ନୟନ-ଦଳରୁ ଝରାଇ ଲୋତକ ଧାର,

ନିୟୁନରେ ଅତି ନୀଚ ଜନ ସରି; ଧରି ଗୋପଗୋଈ କର;

ନବଘନଶ୍ୟାମ କହିଲେ-ଲଳିତା, ଭରସା ନଭସା ସଖି,

ନବୀନ ଘନରୁ କଣାଏ ମାତର ବାରି ମୁଁ ରହିଚି ଟାକି ।

 

-ଗୀତ-

ନ ଭାଙ୍ଗରେ ଶୁଭାଙ୍ଗି, ଭାରତୀ ହୁଅ ସାହା ।ପଦ।

ନୋହିଲେ ତୁ ପରିତ୍ରାଣ,            ନିର୍ଦ୍ଦୟ ଅତନୁ ବାଣ

ନିଃଶେଷ କଲାଟି ଦେହ ଲାହା ।୧।

 

ନୀପକୁଞ୍ଜ ଉପକଣ୍ଠେ,            ନ୍ୟସ୍ତ କରାଅ ମୋ କଣ୍ଠେ

ନାଗରୀନ୍ଦ୍ର ନିରୂପମ ବାହା ।୨।

ନେତ୍ରାନ୍ତ ବିଳାସ ତାର,            ନିଦାନ ଏ ଅବସ୍ଥାର,

ନିରେଖି ଉଚ୍ଚାରୁ ଥରେ ଆହା ।୩।

 

ନିଶ୍ଚୟ ଏ ଘେନ ଚିତ୍ତେ,            ନ ଜୀଇବି କଦାଚିତେ,

ନ ବତାଇଲେ ତୁ ସୁଖ ରାହା ।୪।

ନାଥ ଅଷ୍ଟଦୁର୍ଗର ଯେ            ନିତି ସେ ମୋ ପାଦେ ଭଜେ

ନିନ୍ଦିବଟି ନ କଲେ ତୁ ତାହା ।୫।

ରାଗ-ତୋଡ଼ି (ମିଶ୍ର)। ତାଳ-ଏକତାଳି

 

-ଗୀତକଥା-

ଶ୍ରୀକୃଷ୍ଣ କହିଲେ-ସୁନ୍ଦରି ! ଟାଳି ଦେ’ନା ମୋ କଥା । ଟିକିଏ ମୋର ସାହା ହୁଅ !

୧- ତୁ ମୋର ସହାୟ ନୋହିଲେ ନିଷ୍ଠୁର କନ୍ଦର୍ପ, ବାଣ ବିନ୍ଧି ମୋ ଦେହର ସାର ନିଗାଡ଼ି ଦେବ ।

୨- ସହି, ଏ କଦମ୍ବ ବଣ ପାଖରେ ସେ ନାଗରୀ ଶିରୋମଣିର ଅତି କମନୀୟ ବାହୁ ଦୁଇଟିକି ମୋ ଗଳାରେ ଲମ୍ୱାଇ ଦେ।

୩- ତାହାରି କଟାକ୍ଷ ଭଙ୍ଗୀ ଏକା ମୋର ଏ ଅବସ୍ଥାର ମୂଳ କାରଣ । ଏଇତକ ଦେଖି ସେ ଖାଲି ଥରେ ‘ଆହା’ ପଦକ କହୁ।

 

୪- ସତେ ସଖୀ, ତୁ ମତେ ଯେବେ ମୋ ସୁଖର ବାଟ ନ ବତେଇବୁ, ମୁଁ ଆଉ କେବେ ହେଲେ ଜୀଇ ପାରିବି ନାହିଁ । ଏକଥା ତୁ ନିଶ୍ଚିତ ବୋଲି ଜାଣ ।

୫- ଆଠଗଡ଼ ରାଜା ନିତି ମୋ ପାଦ ସେବା କରୁଚି । ତୁ ଏତକ ନ କଲେ ସେ ନିନ୍ଦା କରିବଟି ।

 

-ଶ୍ଳୋକାଂଶ-

ଦୃଢାଂ ନବ୍ୟାଂ ଭବ୍ୟାଂ ତରୁଣି ତରଣିଂ ତେ ମୃଦୁଗିରଂ,

କରିଷ୍ୟେ କନ୍ଦର୍ପାଂମ୍ବୁନିଧିତରଣାୟେତ୍ୟହରହଃ ।

ସ୍ଥିତାଯାଶା ନାସାନିଳଲବବିଳାସାୟ ନନୁ ତାଂ

ରୁଷା ସାଙ୍ଗମ୍‌ ଭଙ୍ଗମ୍‌ ନ ନୟ ବହିରଙ୍ଗମ୍‌ ନ କୁରୁ ମାଂ ।।

ନୋଚିତଂ ସଖି, ସାଧାରଣେତରସୁଖସୌଧୋର୍ଦ୍ଧ୍ୱ ସଞ୍ଚାରଲୀଳୋବ୍ୟତ୍‌ସାହସିକସ୍ୟ ମମାଶାଧିରୋଣୀହରଣଂ ।

 

ସଜନୀରେ !

ବଚନ ତୋ ମଧୁରୁ ମଧୁର,

ନଉକା ସେ ମୋର ସଖୀ,

ପାର ହେବି ମଦନ-ସିନ୍ଧୁକୁ ବୋଲି

ମନାସିଛି ମନେ ।

 

ଅନୁସରି ତୋରେ ଗୋରୀ,

ଲଙ୍ଘିବି ସାଗର ।

ରୁଷି ମୋ ଆଶାକୁ ଆଉ ନଦିଅ ବିନାଶି ।

ପର ପରା କରି ମୋତେ,

ହରି ଘେନ ନାହିଁ ସତେ,

ସୁଖର ସଉଧଚଢ଼ା ଆଶାର ନିଶ୍ରେଣୀ ।

 

‘ଟ’

ଅନୁଚିନ୍ତା

ଟାଳି ଦେଇ ଶ୍ୟାମ କାକୁତି ମିନତି ଲଳିତା କହଇ ବାଣୀ

ଟାକର ଖାଇବା ବିଚାର ଏଥର ସାର କରିସାରିଲଣି ।

ଟୀକା ଲେଖାଇବ କଳଙ୍କିନୀ ବୋଲି ଶିରେ ବିନୋଦିନୀ ରାଇ,

ଟମକ ବାଜିବି ବରଜ ବଜାରେ ତୁମ ଗୁଣଗଣ ଗାଇ ।

 

-ଗୀତ-

ଟାଣ ପଣ କର ସାର,

ଟିକାଏ ମଦନ କଦନକୁ ସହି ସଦନକୁ ବିଜେକର ।୦।

ଟଙ୍କାରି କି ଶ୍ରବସରିକି ବାସବ କୋଦଣ୍ଡରୁ ଚଣ୍ଡଧନୁ,

ଟାଣି ବିନ୍ଧେ ଶମ୍ୱ ସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ? ।୧।

 

ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡ଼ା ଫରମାସ,

ଟିକାଏ ହେଲେ ଯେ ହୃଦୟ ସରୋଜେ ନୋହିଲା ତ୍ରାସ ବିଳାସ ।୨।

ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୂରିବ,

ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣସଖୀ ସରିବ ।୩।

 

ଟପା ଥିବା ଚାର ବଚନୁ ଗୋଚର ଯେତେ ସମାଚାର ଗୋପେ,

ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ।୪।

ଟାକିଛ ସୁଧାଂଶୁକଳାକୁ ଆକାଶୁଁ କରିବାକୁ ପାଣିଗତ,

ଟୀକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏ କି ଆଚରିତ ?।୫।

(ରାଗ-ତୋଡ଼ି; ତାଳ-ରୂପକ)

 

-ଗୀତକଥା-

ଲଳିତା କହିଲେ :-

ଶ୍ୟାମ, ଆପଣା ଟାଣପଣକୁ ଏମିତି ସାରି ଦିଅନାହିଁ ।

କନ୍ଦର୍ପର କଷଣକୁ ଟିକିଏ ସମ୍ଭାଳି ଘରକୁ ଚାଲିଯା’ ।

୧- ଆଚ୍ଛା ! କହିଲ, କାନ ପର୍ଯ୍ୟନ୍ତ ଟାଣିକରି କନ୍ଦର୍ପ ତା’ର ପ୍ରପଞ୍ଚ ଧନୁରୁ ବଜ୍ର ଭଳିଆ ଶର ଖୁବ୍‌ଯୋର୍‌ରେ କ’ଣ ତମକୁ ଏକା ବିନ୍ଧୁଚି ?

୨- ଏଡ଼େ ସୁନ୍ଦର ମୁହଁଟି ତମର ! ତାକୁ ଟେକି କେମିତି ଭଲା ତମେ ପରଘରବୁଡ଼ା କଥା ଫରମାସ କରୁଛ ? ମନ ତମର ଟିକିଏ ହେଲେ ଦବି ଯାଉନାଇଁ ?

୩- ତୁମେ ଏଣେ ମତେ ଟେକାଟେକି କରି ତମ ମନ-କାମନା ପୂରାଇବ, ତେଣେ ସଖୀ ମୋର, ତା ଶାଶୁ ନଣନ୍ଦ ଗଞ୍ଜଣାରେ ସରିବ ! ବାଃ, ବେଶ୍‌ବିଚାର ତ !

୪- ଜାଣିଛ ନାଁ ! ଗୋପର ଯେତେକ କଥା ସବୁ କଂସ କାନକୁ ଯାଉଚି; ଦୂତମାନେ କଂସକୁ ଗୋଚର କରାଯାଉଛନ୍ତି । କେହି ଖଚିଆ ଯଦି ଏକଥା କଂସ କାନରେ ପକାଏ, ତେବେ ତମ ବାପା ନନ୍ଦରାଜା କଂସ ବନ୍ଦୀଶାଳାରେ ପଡ଼ିବେ ।

୫- ଆଠଗଡ଼ର ଗମ୍ଭିରୀସାଆନ୍ତ କହୁଚନ୍ତି :- କୃଷ୍ଣଚନ୍ଦ୍ର, ଆକାଶ ଚାନ୍ଦ ଧରିବାକୁ ତମେ ଆଶା କରୁଚ - ଏ ତମର କିଭଳିଆ ଆଚରଣ କହିଲ ।

 

ଶ୍ଳୋକାଂଶ

ଯାବନ୍ତୋ ବିଳସନ୍ତି ଯୌବତମନଶ୍ଚୌରାଃ କିଶୋରାଃ ପୂରେ

ପକ୍ଷସ୍ତେଷୁ ସମୁତ୍‌ସୃଜନ୍‌ ରତିପତିଃ ପ୍ରକ୍ଷ୍ୱେଡ଼ନାନ୍‌ କୌସୃମାନ,

ବାହାବାହବିପୂର୍ବକଂ ତ୍ୟଜତି କିଂ ତ୍ୱଯ୍ୟେବ ଋଜ୍ୱାଶୟେ

ହା ହା ଶମ୍ବକଦମ୍ବଡମ୍ବରଭରା ଲମ୍ବାନ୍ କଳମ୍ବାନ୍‌ ମୁହୁଃ

କେନ ବାତ୍ର କିଶୋରେଣ ବଲ୍ଲବନଗର୍ଯ୍ୟା ମଟ୍ଟକୁଟ୍ଟିମ ବିନ୍ୟସ୍ତ-କାର୍ତ୍ତସ୍ୱରକୃତ୍ରିମପୃତ୍ତ୍ରିକାଃ କୃତିନା କତି ନାବଲୋକ୍ୟନ୍ତେ ।

 

ଅର୍ଥ :-

ଳଳିତା - ଭଲ ତ କହିଲ କାହ୍ନୁ,

ଯୁବତୀ ମାନସଚୋର

ରସିକ ନାଗର,

ଗୋପ ପୁରେ ଅଛନ୍ତି ଯେତେକ;

କୁସୁମର ଶର

ତାଙ୍କୁ ବିନ୍ଧଇ କନ୍ଦର୍ପ ।

 

ଆଉ, ଠଉରାଇ ତୁମ୍ଭଙ୍କୁ ମୋହନ !

ସରଳମତି, ସେ

ରଚି ବାହୁଯୁଦ୍ଧ

ବଜ୍ରଶରେ କରଇ ଜର୍ଜର ?

କହିଲ ମୋହନ !

 

ଗୋପେ ଯେତେ ଚତୁର କିଶୋର

ନୟନେ ସେ ଦେଖୁ କି ନାହାନ୍ତି କେବେ

ପ୍ରାସାଦ ଉପରେ କେତେ ସୁନାର ପିତୁଳୀ ?

ଶୁଣି ଏତେ,-

 

‘ଠ’

ଅନୁଚିନ୍ତା

-ଠଣାମାରି ଲାଜ, ମହତ ମଥାରେ କହିଲେ ମୁରଲୀଧରା :-

ଠୁଳେ ହେଲେ ଥରେ ସିଞ୍ଚିଲୁ ନାହିଁ ତ କରୁ ତୋ ଅମୀୟଧାରା ।

ଠଉର କରି ମୁଁ ବାରିଛି ଲଳିତେ, ତୁହି ଏକା ମୋର ଗତି,

ଠସା ତୋ ପଦକ ନ ଜାଣି ପଦକ ମଣିବ ସେ ଗଜଗତି ।

 

-ଗୀତ-

ଠିକ-ଠ ବର୍ତ୍ତୁଳ ଚନ୍ଦ୍ରାନନା, ତୋ ଚିତ୍ତରେ ପଦ ।

ଠକରୀତି ନ ଆଚରି             ମୋ କଦନକୁ ବିଚାରି

ଅକପଟ ତ୍ରାଣବିଧି ଉଚିତ ରେ । ୧ ।

ଠଣା ଠୁଙ୍କି ତାପ ତ୍ରାସ-            ମୁଣ୍ଡେ ମନମଥ ପାଶ-

ବନ୍ଧନ କର ତୁ ପରା ମୋ ଚିତ୍ତରେ । ୨ ।

 

ଠଉରାଇ ଅବସର,             କଲେ ତୁ ପ୍ରସଙ୍ଗ ମୋର

ଯିବ ରାଜୀବନେତ୍ରାକୁ ରୁଚିତ ରେ । ୩ ।

ଠୋ କରି ଛିଣ୍ଡାଇ ଦେ’ ନା,-            ପ୍ରିୟସଖି, ମୋ ବେଦନା,

ନ ଲାଗଇ ନିକି ତତେ ହେଲେ କିଞ୍ଚିତ ରେ । ୪ ।

 

ଠାରି ଦେଲେ ନେତ୍ରାଞ୍ଚଳେ,             ବିଜନ ସ୍ଥଳେ ସେ ବଳେ,

ବିରାଜିବ କ୍ଷଣରୁଚି ଉଚିତ ରେ । ୫ ।

ଠାକୁର ଠାକୁରାଣୀଙ୍କ            ପଦାମ୍ବୁଜ-ଧ୍ୟାନରଙ୍କ,

ନୃପ ଜଗଦ୍ଦେବ କରେ ରଚିତ ରେ । ୬ ।

(ରାଗ-ତୋଡ଼ି । ତାଳ-ଆଠତାଳି)

 

-ଗୀତକଥା-

୧- ଶ୍ରୀକୃଷ୍ଣ କହିଲେ-ଚାନ୍ଦମୁହିଁ, ତୋ ମୁଖ ଠ ଅକ୍ଷର ଭଳି ଗୋଲାକାର, ଚିତ୍ତରୁ ଠକପଣିଆ ଛାଡ଼ି, ମୋ ଦୁଃଖ ବିଚାର କର,- ମୁଁ କିପରି ଏ କଷ୍ଟରୁ ରକ୍ଷା ପାଇବି । ଅକପଟ ହୃଦୟରେ ତାହାରି ବାଟ କରିବା ଉଚିତ ।

୨- ସଖି ! ମଦନ ମତେ ଯେଉଁ ଭୟ ଦେଖାଉଛି, ତା’ ମୁଣ୍ଡରେ ଠଣାମାରି ତୁ ମୋତେ ତା’ର ପାଶ ବନ୍ଧନରୁ ମୁକ୍ତକର ।

୩- ସହି, ବେଳ ଦେଖି ତୁ ମୋ କଥା ପକାଇଲେ ପଦ୍ମନୟନା କିଶୋରୀକି ନିଶ୍ଚେ ତାହା ରୁଚିଯିବ ।

 

୪- ସଖି, ଆମ ଦୁହିଁଙ୍କ ସମ୍ପର୍କ ପ୍ରସଙ୍ଗକୁ ତୁ ଠୋ କରି ଛିଡ଼ାଇ ଦେ’ ନା । ମୋ ଦୁଃଖ କଅଣ ତୋତେ ଟିକିଏ ହେଲେ ବାଧୁ ନାହିଁ ?

୫- ତୁ ଖାଲି ଟିକିଏ ଆଖି ଠାରିଦେଲେ, ଚଞ୍ଚଳାପରି ସୁନ୍ଦରୀ ରାଧା ବଳେ ଏକୁଟିଆ ସ୍ଥାନରେ ପହଞ୍ଚିଯିବ । ଠାକୁର ଠାକୁରାଣୀ ଅର୍ଥାତ୍ ଶ୍ରୀକୃଷ୍ଣ ଓ ଶ୍ରୀମତୀଙ୍କର ଶ୍ରୀଚରଣ ଧ୍ୟାନରଙ୍କ ଆଠଗଡ଼ର ରାଜା ଏହା କହିଲେ ।

 

ଶ୍ଲୋକାଂଶ

ଏଣୀଦୃଶଃ ପ୍ରିୟସଖୀ ପ୍ରିୟବାଦିନୀ ତେ-

ତ୍ୟାପଦ୍ଧନେନ ସଦୃଶୀତି ବିଶାରଦେତି

ବିଶ୍ୱାସନିଃସ୍ୱହୃଦୟତ୍ୱମପାସ୍ୟ ତୁଭ୍ୟମ୍

ଯଦ୍ରୋଚିତେ କୁରୁ ସୁରୂପବତୀତି ବଚ୍ନି ।

ଦୁର୍ଗତଜନବର୍ଗୋପକାରଜନ୍ୟପୁଣ୍ୟଯଶୋଽପବର୍ଗ-

ନିର୍ଗତାଳସନିସର୍ଗା ହି ଦୟାଳବୋ ହୃଦୟାଳବଃ ।

 

ଶ୍ରୀକୃଷ୍ଣ- ସଜନୀରେ !

ଆକୃତିରୁ ପ୍ରକୃତି ବିଚାରି ।

ଏଡ଼େ କମନୀୟ ରୂପ ଧରିଛୁ ସୁନ୍ଦରୀ !

ପୁଣି, କୁରଙ୍ଗୀନୟନା ରାଧା

ସହଚରୀ ତୁହି,-

 

ସ୍ୱଭାବେ ମଧୁଭାଷିଣୀ ଚତୁରୀ ଲଳିତା,

ବିପତ୍ତି ଉତ୍ପତ୍ତି କାଳେ

ରଙ୍କର ତୁ ସଞ୍ଚିତ-ରତନ ।

ସହଜ କୃପାଳୁ ଜନେ

ନିଶ୍ଚିତରେ ପରଉପକାରୀ,-

 

ଦୁଃଖୀ ଦୁଃଖ ନପାରନ୍ତି ସହି ।

ତେଣୁ ଲୋ ସୁନ୍ଦରି,

ଅନୁସରି ରହିଚି ମୁଁ ତୋରେ

ଯାହା ଇଚ୍ଛା ତୋର, କର ତାହା ।

 

‘ଡ’

ଅନୁଚିନ୍ତା

ଡହକ ନିଆଁକୁ କର ବଢ଼ାଉଛ ଫୋଟକାଟି ପ୍ରତିଫଳ

ଡାକି ମୁଁ କହୁଛି ବୋଇଲା ଲଳିତା, ହୃଦେ ମଧୁ, ମୁଖେ ଛଳ;

ଡଅଁର ମଝିରେ ଜାଣୁ ଜାଣୁ ଆପେ ମେଲି ଦେଲ ହୁଲି ନାଆ

ଡହକ ବିକଳ ସାର, କଳାକାହ୍ନୁ ! କି କରି ହେବି ମୁଁ ସାହା ?

 

-ଗୀତ-

ଡର ନାହିଁ କି ହେ ପର ତରୁଣୀ ହରଣୁ ?

ଡୋର ଲାଗି ଘେର ପଡ଼ିବ ଯେ ହେବ ଚୋର ପରି ଆଚରଣୁ । ପଦ।

ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି,

ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯେ କୁଳପାଳି ।୧।

 

ଡକା ଦେବା ଦିନେ ଅରିଷ୍ଟେ ଉତ୍ତାନେ ଦେଖିଛୁଁ ଶକଟ ଦଶା,

ଡାକି ମଧ୍ୟମାକୁ, ଡାକି ଆଣିବାକୁ ଏଠାକୁ କାହା ଭରସା ।୨।

ଡବ ଡବ ବାରି ନିଃସରିବ ଚାରି ପ୍ରହରେ ନୟନ ଯୁଗୁଁ,

ଡ଼ହ ଡ଼ହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀଅଙ୍ଗଟି ଭୋଗୁଁ ।୩।

 

ଡାକି ତ ଜାଣ ମୋହନ, ବଂଶୀରବେ ବିହର ସୁଖେ ଏ ବନେ,

ଡ଼ୁଇଁ ହେବୁ ସିନା ଆମ୍ଭେ ଫଳ ବିନା ନ ପଡ଼ୁ ତା ଆମ୍ଭ କାନେ ।୪।

ଡାଳିମ୍ବମଞ୍ଜି-ମଞ୍ଜୁଳଦଶନା ସେ ଖେଳୁଥାଉ ତୁମ୍ଭ ତୁଲେ,

ଡେଉଁଥାଅ ବନଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ ।୫।

(ରାଗ-ଆଶାବରୀ । ତାଳ-ଆଠତାଳି)

 

-ଗୀତକଥା-

ଲଳିତା କହିଲେ- କାହ୍ନୁ, ପରନାରୀ ହରଣ କରିବାକୁ ମନରେ ଟିକିଏ ହେଲେ ଡରଭୟ ନାହିଁ ? ଜାଣିଚ ନା ? ଏଇଭଳି ଆଚରଣରୁ ତୁମେ ଦଉଡ଼ିରେ ବନ୍ଧା ହେବ ।

୨-ମାଆ ଯଶୋଦା ତାଙ୍କର ନୟନ-ପିତୁଳି-କରି କେତେ ସରାଗରେ ତମକୁ ପାଳିଛନ୍ତି, ତମେ ପୁଣି କୁଳନାରୀଙ୍କ ମହତ ଉଜାଡ଼ିବାକୁ ଲେଡ଼ୁଛି ? ଯଶୋଦାଙ୍କର ସେ ସ୍ନେହର ଧନ ବୁଡ଼ିଯିବ ସିନା !

୨- ଇନ୍ତୁଡ଼ିଶାଳରୁ ତ ତମ କଥା ଭଲ ଜଣାଅଛି । ଚିତ୍ ହୋଇ ଶୋଇ ଡକାପାରିଲା ବେଳେ, ତମେ ଶକଟାସୁରକୁ ମାରିଛ ପରା ! ଏଇ ଆଖି ସେକଥା ଦେଖିଛି । ସେଥିରେ ପୁଣି କଟି ମଧ୍ୟମା (ରାଧା) କୁ ଏଠିକି ଡାକି ଆଣିବାକୁ କାହାର ବହପ ପାଇବ, କହିଲ ?

୩- ତମ ସାଥିରେ ମିଳନ ଘଟିଲେ ଏଇ ସୁନ୍ଦର ଶ୍ୟାମ ଅଙ୍ଗ ଭୋଗରେ ତାଙ୍କର ଭାରି କଷ୍ଟହେବ, କୋମଳ ଅଙ୍ଗ ଡହ ଡହ ତାତିବ । ରାତି ଚାରିପହର ଯାକ ବିଚାରୀ ଯାତନାରେ କଲବଲ ହେବ, ଆଖିରୁ ଡବ ଡବ ହୋଇ ଲୁହ ଝରିବ ।

୪- କାହିଁକି ? ତମକୁ ତ ବଂଶୀ ସ୍ୱନରେ ଡାକି ଆସେ । ତମେ ତାଙ୍କୁ ଡାକି ଆଣୁନାହିଁ ? ମୋ ଦେହି ସେ କାମ ହେବନାହିଁ । ତା’ ଛଡ଼ା ମୁଁ ଦେଖୁଛି, ବଂଶୀ ବଜାଇଲେ ବି କିଛି ଫଳ ହେବ ନାହିଁ । ସେ ସ୍ୱର ଆମ କାନରେ ନ ପଡ଼ୁ, କି ଆମେ ଡହଳବିକଳ ନ ହେଉଁ ।

୫- ଆଉ ଯଦି ବା କିଛି ଫଳେ, ତେବେ ସେ ଡାଳିମ୍ବଦନ୍ତୀ ଏଠିକି ଆସି ତମ ସଙ୍ଗେ ଖେଳୁଥାଉ, ତମେ ମନ ଇଚ୍ଛା ଏ ବଣରେ ଡ଼ିଆଁ ମାରୁଥାଅ ।

ଶ୍ରୀ ହରିଚନ୍ଦନ ଏଇକଥା କହିଥିଲେ ।

 

ଶ୍ଲୋକାଂଶ

କଂସଃ ପୁଂସାଂ ନୃଶଂସାନାଂ ବତଂସଃ ଶାସ୍ତି କାଶ୍ୟପୀମ୍,

ଦୁଷ୍ପଥେ ଧନିନଃ ସୁନୋ କଥଂ ଯାସ୍ୟଧ୍ୱନୀନତାମ୍

 

ଅବର୍ଣ୍ଣାର୍ଣ୍ଣବୋଦ୍‌ଗୀର୍ଣ୍ଣକଲ୍ଲୋଳମାଳାନ୍ଦୋଳିତସ୍ତ୍ୱମସି କିଂ

ପୁନସ୍ତରୁଣି ତରଣିତ୍ୱମୁରୀକରଣୀୟମିତ୍ୟୁପଦିଶ୍ୟ ମାମପି କୁଳ କୂଳଦବିଷ୍ଠାଂ ବିଧାୟ ମଜ୍ଜୟିତୁଂ ବିଚାରମାରଭସେ ।

 

ଅର୍ଥ :-

ଲଲିତା- ଜାଣିଛ ତ ନଟବର !

ନିଷ୍ଠୁର ନୃଶଂସ କଂସ ରାଜା ।

ଧନବନ୍ତ ଘର ପୁଅ ତୁମ୍ଭେ

ଅବାଟେ କାହିଁକି ଭଲା

ଯାଇ ମନକର ?

 

ସହଜେ ତ ଭାସୁଛ ଆପଣେ

ଅପବାଦ ସାଗର ତରଙ୍ଗେ,

ମୋତେ ପୁଣି-

ନଉକା ତୁ ହୁଅ ବୋଲି

 

ଦେଇ ଉପଦେଶ,

କୂଳରୁ ଦୂରକୁ ଠେଲି;

ବିଚାର କାହିଁକି ବାନ୍ଧ

ସେହି ଅପବାଦ ନୀରେ

 

ବୁଡ଼ାଇବ ବୋଲି ?

ଶୁଣି ଏତେ ଲଳିତା ମୁଖରୁ

କହିଲେ ଶ୍ରୀକୃଷ୍ଣ :-

 

-ଅନୁଚିନ୍ତା-

ଢମାଳି ମଣିଲୁ ଏବେ ହେଲେ ମୋର ମିନତିକୁ ଚାନ୍ଦମୁହିଁ !

ଢୋକ ଗିଳିବାକୁ ଚଳେ ଜଳ ନାହିଁ କହୁଛି ତୋ ତନୁ ଛୁଇଁ ।

ଢାଳି ଶିର କାହ୍ନୁ ବୋଇଲେ ଲଳିତା ଏତେ ଉପକାର କର

ଢୋଲ ବାଜିଯାଉ କିଶୋରୀ ପୟର-କୋୟର ପଣରେ ମୋର ।।

 

‘ଢ’

-ଗୀତ-

ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ ।ପଦ।

ଢକା ବାଜୁଥାଇ ବ୍ରଜେ            ଲଳିତାର ହୃଦାମ୍ବୁଜେ,

କରୁଣା ଅଛି ବୋଲି ଯା ନେଲା କେ ତା ହରିକି ରେ ।୧।

 

ଢୋଳାଇଲା ପରି ଢଳି            ତଳେ ପଡ଼ିଯିବା ଭଳି,

ହେଲିନି ଯେ କୁନ୍ଦକଳିଦଶନା ଏ ସରିକି ରେ ।୨।

ଢୁକାଇ ଦେଲେ ତୃଷିତ            ଚକୋର ଚଞ୍ଚୁରେ ଶୀତ-

ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକି ରେ ।୩।

 

ଢୋକୁଟିକୁ ସିନା ହଟି,            ମୋ ସାର ଯାଉଚି ତୁଟି

ପିଇ ଦିଅନ୍ତିକି ଗୋଟିଯାକ ସେ କିଶୋରୀକି ରେ ।୪।

ଢବାତନାବିରୁ ଗୋପ-            ନଗରୀର ବନ୍ଦେ ଭୂପ

ବାଲୁକେଶ ଦେବ ନୀପ-କୁଞ୍ଜ ପୁଞ୍ଜ ସରିକି ରେ ।୫।

ରାଗ-ଦେଶାକ୍ଷ । ତାଳ-ଏକତାଳି

 

-ଗୀତକଥା-

ଲଳିତେ, ଏତେ ନେହୁରା ହୋଇ କହିଲି, ତେବେକେ ଟିକିଏ ହେଲେ ତୋର ଦୟା ହେଲା ନାହିଁ, (ତୁ କରୁଣା ଅମୃତ ବାରି ଢାଳିଲୁ ନାହିଁ ?)

୨- ଲଳିତା ହୃଦୟରେ ଦୟା ଅଛି ବୋଲି ଗୋପପୁରଟା ସାରା ଢୋଲ ବାଜୁଛି, ଏବେ କିଏ ତାକୁ ହରଣ କରି ନେଲା କି ସହି ?

୨-ରେ କୁନ୍ଦଦନ୍ତି ! ଝୁମାଇ ଢଳି କରି ତଳେ ପଡ଼ିଯିବା ଭଳି ମୋ ଅବସ୍ଥା ହେଲାଣି, ଅନାଁ ।

୩- ଶୋଷିଲା ଚାତକ ମୁହଁରେ, କଣାଏ ଚନ୍ଦ୍ର କିରଣ ପିଆଇ ଦେଲେ କଅଣ ସମ୍ପତ୍ତି ସରିଯାଏ ?

୪- ମୁଁ କଅଣ ସତରେ ଗୋଟିକଯାକ ସେ କିଶୋରୀକି ପିଇ ଦିଅନ୍ତି କି ? ଢୋକଟାକ ଆଶାରେ ମୋ ବଳ ହଟିଯାଉଛି ସିନା !

୫- ଯେଊଁ କୋଠାଘରର ଝରକା ଭିତରେ ଶ୍ରୀକୃଷ୍ଣ ରାଧାଙ୍କୁ ଦେଖିଥିଲେ ସେହିଠାରୁ କଦମ୍ବକୁଞ୍ଜ ପର୍ଯ୍ୟନ୍ତ ସମସ୍ତ ପଥକୁ ବାଲୁକେଶ ଦେବ ବନ୍ଦନା କରୁଛି ।

 

ଶ୍ଲୋକାଂଶ

ଚାୟଂ ଚାୟଂ ମୟୋଚ୍ଚୈଃ କଥିତମକପଟଂ ଚାଟୁମାକର୍ଣ୍ଣ୍ୟ ଭୂୟଃ,

ପ୍ରାୟଂ ପାୟଂ ଚ ଦୃଷ୍ଟ୍ୟା ମମତନୁମତନୁ କ୍ରୂର ନାରାଚଭିନ୍ନାମ୍;

ସାନୁକ୍ରୋଶେନ ସାନୁଗ୍ରହମହହ ମମ ପ୍ରାଣବିଶ୍ରାଣନୋତ୍କା-

ମିଚ୍ଛାଂ ତୁଚ୍ଛାଂ ବିଧାୟ କ୍ଷିପସି ସୁମୁଖି କିଂ ରୋଷରୁଷଂ କଟାକ୍ଷମ୍ ।

 

ମୀନାଙ୍କକଙ୍କପତ୍ରଦୁନାତ୍ମନଃ କଥମାର୍ତ୍ତସ୍ୟ ବିଷୟେ କାର୍ତ୍ତସ୍ୱର ଗୌରାଙ୍ଗୀଭିରକାରୁଣିକହୃଦୟବୃତ୍ତିତ୍ୱମୁରୀତ୍ରିୟତ ଇତି ବ୍ରୁବତି କିଶୋରଶିରୋମଣୌ ସସ୍ମିତତ୍ୱରଂ ଲଳିତା ।

 

ଅର୍ଥ :-

ଶ୍ରୀକୃଷ୍ଣ- ପ୍ରିୟସଖୀ,

ଦୀନ ମୁହିଁ ଅତି !

ତେଣୁ ମନ ଖୋଲି,

ଦୁଃଖ ମୋର କରିଛି ବୟାନ ।

ଚାଟୁ ଶୁଣି ମୋର,

 

ପୁଣି

ସ୍ୱଚକ୍ଷୁରେ ନିରେଖି ମୋ ତନୁ;-

କନ୍ଦର୍ପ କରଇ ଯା’ରେ ଶରେ ଖଣ୍ଡ ଖଣ୍ଡ,-

ନାଶକରୁ ଅବହେଳେ-

ଜୀବନ୍ତର ଉତ୍କଣ୍ଠା ମୋହର

ହୋଇ ତୁ କୋପିନୀ ?

 

କାହିଁକି ରେ ହେମଗୋରି !

କାମ-ବାଣ ସନ୍ତାପିତ ଆରତ ରକ୍ଷଣେ

ତୋସରି ସୁନ୍ଦରୀ ସତେ

ଏଡ଼ିକି ନିର୍ଦ୍ଦୟ ?

ବାଣୀ ଶୁଣି,

ଦର ହସି ଭଣିଲେ ଲଳିତା :-

 

‘ଣ’

ଅନୁଚିନ୍ତା

ଅବୁଝା ପଣରେ ସରିଛ ତ ଶ୍ୟାମ, କେତେ ବୁଝାଇବି ଆଉ ?

ଅକାରଣେ ତୁମ ମନ ରଖିବାକୁ ଯିବି, ଯାହା ପଛେ ହେଉ ।

ଅକଲ ନଥିବା ଜନପରି ସିନା ତା ଆଗେ ବାଢ଼ିବି କଥା

ଅକଡ଼ ମଣିଲେ କିଶୋରୀ ତ ଭଲେ କଟିବ ଲଳିତା ମଥା ।

 

-ଗୀତ-

ଅତସୀ କୁସମସମ ଶ୍ୟାମ ହେ ମୁଁ ଗଲିଟି ।ପଦ।

ଅଳି ତୁମ୍ଭର ନିବିଡ଼                  ଅସହିଷ୍ଣୁ ସେ ଯେ ବଡ଼

ଅବଶ୍ୟ ତା ଛାମୁରେ ମୁଁ ନିବେଦନ କଲିଟି ।୧।

ଅଧ ଅଧରରେ ସ୍ମିତ            ଉଲ୍ଲାସି ହେଲେ ଲଜ୍ଜିତ

ଉହିବି ଏହି ଟି ବୋଲି କୃପାକଳ୍ପ-ବଲ୍ଲୀଟି ।୨।

 

ଆରକତ କଲେ ମୁଖ            ଅଖଣ୍ଡ ସୁଧା ମୟୁଖ,

ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ।୩।

ଅଦୃଷ୍ଟବଳୁଁ କିଶୋରୀ            ଅଙ୍ଗୀକାର କଲେ ସରି

ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି ।୪।

 

ଉଗ୍ର ନିର୍ଦ୍ଦେଶ ନୃପର            ଉପବନ ଗୋପପୁର

ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି ।୫।

ଅଷ୍ଟଦୁର୍ଗନାଥ ଭାଷେ            ଆହା, ଧ୍ୟାନେ କି ଶୋଭା ସେ

ଅଖିଳଜନନୀ ନାସା ମୃଗମଦକଲିଟି ।୬।

(ରାଗ-ସୋମ, ତାଳ-ଏକତାଳି)

 

-ଗୀତକଥା-

ଅତସୀ ଫୁଲ ବର୍ଣ୍ଣ ହେ ଶ୍ୟାମସୁନ୍ଦର, ମୁଁ ଏବେ ଯାଉଛି ।

୧- ଏଣେ ତୁମର ଟାଣୁଆଁ ଅଳି, ତେଣେ ଶ୍ରୀମତୀ ତ ମହାଅସହଣୀ । ଦି କୁଳ ଜଗିବାରେ ବଡ଼ ହରବର ହେବା କଥା । ହେଉପଛେ, ମୁଁ ତମ କଥା ମୁକର ତା (ଶ୍ରୀମତୀ) ଆଗେ ବାଢ଼ିବି, ତେଣିକି ଦେଖାଯିବ ।

୨- ଯେବେ ତମ କଥା ଶୁଣି ତା ତଳିଓଠରେ ହେଲେ ଟିକିଏ ଲାଜୁଆ ହସ ଫୁଟିବ, ଜାଣିବି ତେବେ କଳ୍ପଲତାର ଅନୁଗ୍ରହ ହେଲା ।

୩- ଆଉ ଯେବେ ତା ଚାନ୍ଦମୁହଁଟି ରଙ୍ଗ ପଡ଼ିଯିବ ମୋ ମହତ ତେବେ ଦି’କଡ଼ାର ହୋଇଯିବ । ଏଭଳି ଅବସ୍ଥା ହେଲେ ମୁଁ ଜୀଇ ଥାଉଥାଉ ମଲି ବୋଲି ଜାଣ ।

୪- ଭାଗ୍ୟକୁ ଯେବେ କିଶୋରୀ ମୋ କଥାରେ ‘ହଁ’ ଭରି ଦେଲା, ତେବେ ତ ଭଲ । ନୋହିଲେ ଏ ଗୋପପୁର ଉଚ୍ଛନ୍ନ ହୋଇଯିବ ସନା !

୫- ରଜା (କଂସ)ର ତ ନିହାତି କଠୋର ଆଜ୍ଞା, ଏ କଥା ଯେବେ ତା କାନକୁ ଯିବ, ଏ ଗୋପପୁର କି ଗୋବର୍ଦ୍ଧନ ପର୍ବତ, କୋଉଠି ହେଲେ ଆଉ ଠାବ ମିଳିବ ନାହିଁ ।

୬- ଆଠଗଡ଼ ରାଜା କହିଲେ-ଜଗତମାତାଙ୍କ ନାସାର କସ୍ତୁରୀ କଲି ଧ୍ୟାନ ଦୃଷ୍ଟିରେ କେଡ଼େ ସୁନ୍ଦର ଦିଶେ !

 

ଶ୍ଲୋକାଂଶ

ଯାମି ପ୍ରତୀପମନୁକୂଳୟିତୁଂ ପ୍ରୟତ୍ନୈ-

ଶ୍ଚେତଃ ସରୋରୁହସହୋଦରଲୋଚନାୟାଃ,

ସାମିପ୍ରସନ୍ନମପିଚେଦଭବଂ କୃତାର୍ଥା,

ନୋ ଚେତ୍ୱଦାସ୍ୟବିଧୁବୀକ୍ଷଣମେତଦେବ ।

 

ନନ୍ଦନନ୍ଦନ କର୍ହିଚିଲ୍ଲାଘବଲକସ୍ୟାପ୍ୟୁସ୍ଥିତୌ ତମନୁଭୂୟ

ଭୂୟସ୍ତ୍ୱନ୍ମୁଖସୁନ୍ଦରେନ୍ଦୁସନ୍ଦର୍ଶନକନ୍ଦଳିତାନନ୍ଦସନ୍ଦୋହାନୁଭବ-

ମନ୍ଦାଦରୟା ବାମୟା ଭାବ୍ୟମିତି ନିବେଦ୍ୟ ନିଷ୍କ୍ରାମ୍ୟ ସବିଧଂ

ଶ୍ରୀରାଧାୟାଃ ପ୍ରବିଶ୍ୟତାଂ ପ୍ରତି ।

 

ଅର୍ଥ :-

ଲଳିତା- ବ୍ରଜ ଯୁବରାଜ,

ଯାଉଛି ମୁଁ, ରଖି ତୁମ୍ଭ କଥା ।

ପ୍ରାଣେପଣେ କରିବି ଯତନ-

ବହୁମତେ,

କୃତାର୍ଥ ହେବି ମୁଁ କାହ୍ନୁ,

 

ଲବେ ହେଲେ ହେବ ଯେବେ କିଶୋରୀ ପ୍ରସନ୍ନା ।

ଅନୁରାଗ ତୁମ୍ଭ ପ୍ରତି ରଖିବ ଯଦ୍ୟପି

କମଳନୟନା ରାଧା,

ନବିଚାରି ମନେ ତାର ଆନ ।

 

ନାହିଁ, ଯେବେ ହେଲି ମୁଁ ନିରାଶ,

ଜାଣିରଖ କାହ୍ନୁ !

ଆଜିଠାରୁ ମୋର

ଇତି ହେଲା ହେରିବାର

ଚନ୍ଦ୍ରମୁଖ ତବ ।

 

ଶ୍ୟାମ ନଟବର !

ହେଲେ ହେଉ

ହେଟ ମଥା ମୋର;

ଆଦରେ ବରିବି ତାହା

ତୁମ୍ଭରି ମନବାସନା ସିଦ୍ଧ ହେବାଲାଗି ।

 

ନତୁ ହେ ଗୋବିନ୍ଦ !

ତୁଟିବ ଉତ୍ସାହ ମୋର

ଫିଟିବ ଭରସା ।

କି ସୁଖରେ ଆଉ ସତେ

ନିରେଖିବି ଶ୍ୟାମ ମୁଖଶୀରି ?

 

‘ତ’

ଅନୁଚିନ୍ତା

ତୁରନ୍ତରେ ଯେବେ ଚାହିବା ଦରବ ଲୋଡ଼ା ମାତରକେ ପାଇ,

ତରୁଣ ପଲ୍ଲବ ପରାଏ ସେ ରଙ୍ଗ ଦି’ଦିନକୁ ସିନା ଥାଇ ।

ତରକଣା ତେଣୁ କରିସାରି ଆଗେ ମୋହନ ମନ ଗହିଡ଼ା

ତଉଲିବାପାଇଁ କିଶୋରୀ ମାନସ ଲଳିତା ହୋଇଲା ଛିଡ଼ା ।

 

-ଗୀତ-

ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲା ରେ

ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲା ରେ ।ପଦ।

ତଳେ ବସନ୍ନ ପ୍ରସାରି, ତୃଣ ଦଶନାନ୍ତେ ଧରି,

କହିଲେ ହେଁ ଅନୁସରି, ରାଜି ତ ନ ଦିଶିଲା ରେ ।୧।

 

ତହୁଁ କି ବିଷମଭାବ ତର୍କିଲା ମୋ ଚାଟୁଶ୍ରବ-

ତଟକୁ ଘଟନ୍ତେ ଅବଧାନ ବିନା ହସିଲା ରେ ।୨।

ତପନଜାତଟକୁ ତୁ, ତରୁଣୀଟା କେଉଁ କୁତୂ-

ହଳରୁ ଆସିଲୁ ହେତୁ, କହ ବୋଲି ଘୋଷିଲା ରେ ।୩।

 

ତାର ତୋର ସୁଲୋଚନା ତାରତମ୍ୟ ବିବେଚନା

ଲବ ହୋଇ ନାହିଁ ତହିଁ, ତୋ ଚିତ୍ତ ତ ରସିଲା ରେ ।୪।

ତିରସ୍କାର ପୂର୍ବ ଭାଷା, ତରଳାଇ ସୁଖ ଆଶା

ତୋଟିକି ଚୁମ୍ବିଲା ତୃଷା, ତିମିର ବିଳାସିଲା ରେ ।୫।

 

ତୁଚ୍ଛସ୍ନେହମନ ଜନ, ତୋ ସଙ୍ଗକୁ କି ଭାଜନ

ପ୍ରସନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲା ରେ ।୬।

(ରାଗ-କନଡ଼ା । ତାଳ-ଏକତାଳି)

 

-ଗୀତକଥା-

ଲଳିତା କିଶୋରୀଙ୍କ ନିକଟରେ :-

ସଖୀରେ, ତୋ ଲାଗି ତମାଳ ପତ୍ରପରି ଶ୍ୟାମଳ (ବର୍ଣ୍ଣ) ଶ୍ୟାମ ମୋ ମତିଗତି କଳି ନେଲା । ହେଲେ ମଧ୍ୟ; ତୋ ପ୍ରତି ଟିକିଏ ହେଲେ ତା ମନ ଟଳିଲା ନାହିଁ ।।

୧- ଭୂଇଁରେ ଲୁଗା ପାରି, ଦାନ୍ତରେ ତିରଣ ଧରି କେତେ ଅନୁସରଣ କଲି, ତେବେକେ ସେ ରାଜି ହେଲାପରି ଜଣାଗଲା ନାହିଁ ।

 

୨- ମୋ ଚାଟୁକଥା ତା କାନରେ ପଡ଼ିବା ମାତ୍ରେ ସେ ତାକୁ କେମିତି ଓଲଟା ଅନୁମାନ କଲା । ମନ ତ ଦେଲା ନାହିଁ ଟିକିଏ ହେଲେ, ଆହୁରି କଥାଟାକୁ ମୋର କେମିତି ହସରେ ଉଡ଼ାଇ ଦେଲା ।

୩- ମୋତେ କହିଲା :- ଯୁବା ସ୍ତ୍ରୀଟାଏ ତୁ, କାହିଁକି, କେଉଁ କୌତୁକ କରିବାକୁ ଯମୁନା କୂଳକୁ ଆସିଲୁ, କହ ।

୪- ସତେ ଲୋ କିଶୋରି ! ଟିକିଏ ତୁ ବିଚାରିଲୁ ନାହିଁ- ସେ କେଡ଼େ ବଡ଼,-ତୁ କେଡ଼େ ଛୋଟ ! କେମିତି ମ ସତ ତା ଆଡ଼କୁ ମନ ଢାଳିଦେଲୁ ?

 

୫- ତା ଗାଳିମନ୍ଦ ଶୁଣି ମୋର ସବୁ ସୁଖ ଆଶା ଚୂନା ହୋଇଗଲା, ତଣ୍ଟି ଶୁଖିଗଲା । ଚଉଦିଗ ଅନ୍ଧାର ଦିଶିଗଲା ମୋତେ ।

୬- ହରିଚନ୍ଦନ ଜଗଦ୍ଦେବ ଆଶ୍ରିତ ଲୋକ । ସେ କହୁଛନ୍ତି-ଯାହା ମନରେ ଟୋପାଏ ହୋଇ ଶରଧା ନାହିଁ, ସେ କି କେବେ ତୋ ସାଙ୍ଗକୁ ଯୁଗତ ହୋଇପାରେ ?

 

ଶ୍ଲୋକାଂଶ

ଛାୟାଂ ତ୍ୱଦ୍‌ଭୁଜଦମ୍ଭହେମଲତୟୋରାଶ୍ରିତ୍ୟ ନିତ୍ୟଂ ସ୍ଥିତାଂ,

ପାୟାନ୍ମମଧୁନାପି ତନ୍ୱି ଭବତୀ ଭଲ୍ଲାଧିକାଲ୍ଲାଘବାତ୍,

ଆୟାସଃ ସଖି କେବଳଂ ଫଳମଭୂତ୍ ବାଧାପ୍ୟସାଧାରଣୀ,

ଚେତସ୍ୟାବିରଭୂଦ୍‌କଭୁବ ନ ପୁନସ୍ତ୍ୱଲ୍ଲାଳସୋଲ୍ଲାସନଂ ।।

ଦିଷ୍ଟ୍ୟା କଦାଚିଦ୍‌ଭବଦୀୟାଭୀଷ୍ଟସିଦ୍ଧୌ ସମୃଦ୍ଧାୟାମପି

ବନ୍ଧ୍ୟା ତ୍ୱମୁତ୍‌ପତ୍ସ୍ୟତେ କଲ୍ୟାଣବଲ୍ୟାଃ ।

 

ଅର୍ଥ :-

ଲଳିତା- ଶ୍ରୀମତୀ ଗୋ !

ଛାଇ ପରି, ଏ ଲଳିତା

ଚିର ଅନୁଗତା ତୋର ।

ବାଧୁଛି ରେ ଧନୀ, ମୋତେ

ହେଲାରୁ ଗୌରବ ହାନି ।

 

ରକ୍ଷା କର ମୋତେ ସଖି !

ପରିଶ୍ରମ ମାତ୍ର ହେଲା ସାର !

ଲାଭ ହେଲା-

ଜୀବନରେ ନସହିଲା ଭଳି ଯେତେ କ୍ଲେଶ ।

 

ହେଉ ପଛେ-

ତାହା ମଧ୍ୟ ଆଦରେ ବରନ୍ତି;

ଥାଆନ୍ତା କି ତଳେ ହେଲେ

ଆଶା ତୋର ପୂରିବା ଭରସା ।

 

ତେଣୁ,

ବିଚାରୁଛି ସଜନୀ ରେ,

ଯେବେ ଅବା ଭାଗ୍ୟବଳେ

ପୂରେ ତୋର ମନର କାମନା,

ପରିଣତି ନୁହେଁ ହିତକର ।

 

Unknown

‘ଥ’

-ଅନୁଚିନ୍ତା-

ଥାଳ ପାତି ସତେ ରଙ୍କୁଣୀ ପରାଏ ସଜନୀର ପଥଚାହିଁ,

ଥରେ ଆଶା, ଥରେ ନିରାଶା ଦୋଳାରେ ଦୋଳି ଖେଳୁଥାଏ ରାଈ ।

ଥୟରେ ଖବର ନ ଦେଲା ଲଳିତା ଅନୁନୟେ ଯହୁଁ ତା’ର

ଥନ ଥନ ନୀର ନୟନେ ଭରାଇ ପଚାରେ ଥରକୁ ଥର :-

 

-ଗୀତ-

ଥାପିରେ କହ ତଥାପି, ରେ ପ୍ରିୟସଖି !

ଥିବି କି ଛାଡ଼ିବି ପ୍ରାଣ ।ପଦ।

ଥିଲାପରି ସ୍ନେହ,                  ଲାଗିଲା କି କହ,

ଅଛି ଟି ତୋତେ ମୋ ରାଣ ।୧।

 

ଥକାଇ ତୁ କହୁ-                  କହୁ ଧୃତି ରହୁ,

ନାହିଁଟି ମୋହର ଜାଣ ।୨।

ଥୋକାଏ ମୋ ପ୍ରୀତି-            ବିଧିକି ସମ୍ମତି

କଲେ କି ମୋ ପରିତ୍ରାଣ ।୩।

 

ଥରେ ହେଲେ ବିକି,                  ହେବି ମୋତେ ନିକି

ବଞ୍ଚାଇବ ପଞ୍ଚବାଣ ।୪।

ଥୋଇ ହୃଦେ ଛଳ                  ନ କର ବିକଳ

କହେ ଅଷ୍ଟଦୁର୍ଗରାଣ ।୫।

(ରାଗ-ଝିଂଝୋଟି । ତାଳ-ଆଠତାଳି)

 

-ଗୀତକଥା-

ଶ୍ରୀମତୀ କହିଲେ ଲଳିତାଙ୍କୁ-ସଖୀ ! ମୁଁ ବଞ୍ଚିବି କି ମରିବି ମୋତେ ଠିକ୍ କରି କହ ।

୧- ତୋତେ ମୋ ରାଣଟି, ମୋଠାରେ ତାଙ୍କର ସ୍ନେହ ଥିଲାପରି ତୁ ବାରିପାରିଲୁ କି ନାହିଁ ?

୨- ତୁ ଥଙ୍ଗେଇ ଥଙ୍ଗେଇ ହୋଇ କଥା କହୁଛୁ ଯେ, ମୁଁ ଆଉ ଧୈର୍ଯ୍ୟ ଧରିପାରୁନାହିଁ ।

୩- ତୁ ତାଙ୍କ ପାଖରେ ଆମ ମିଳନ ଲାଗି ଯେଉଁ ଉପାୟ ବାଢ଼ିଲୁ, ସେଥିରେ ସେ କଅଣ ଟିକିଏ ରାଜି ହେଲେନାହିଁ?

୪- ଥରେ ହେଲେ କେମିତି ତାଙ୍କ ପାଦରେ ଜୀବନଟାକୁ ବିକି ଦିଅନ୍ତି ! ତା ନ ହେଲେ କନ୍ଦର୍ପ ମୋତେ ଆଉ ବଞ୍ଚାଇବ କି ?

୫- ଅନ୍ତରରେ କପଟ ରଖି ମୋତେ ଆଉ କଲବଲ କରିପକା’ନା’ । ଅଷ୍ଟଦୁର୍ଗ (ଆଠଗଡ଼) ରାଜା ଏକଥା କହିଲେ ।

 

-ଶ୍ଲୋକାଂଶ-

ସ୍ମିତସୁଭଗମୁଖଃ ଶିଖଣ୍ଡମୌଳିର୍ବଦ କିମୁରୀକୃତବାନ୍ ମଦଙ୍ଗସଙ୍ଗମ୍,

କଥୟ ସଖି ଯଦା ତୃଣାୟ ମେନେ ବପୁରଥକିଂ ବିସୃଜାମି ଧାରୟାମି ।।

ସହଚରୀ ଲଳିତେ ! ଦମ୍ଭସମ୍ଭୃତିସମୁଜ୍ଜୃମ୍ଭଣମନ୍ତରେଣ ବିଳମ୍ବମନବଲମ୍ବ୍ୟ ବ୍ରୁହି ସବିଶ୍ରମ୍ଭଂ ଜୀବାମି ବା କତିଦିନାନ୍ୟଥବା ତାପିଞ୍ଛଶାଖିଶାଖାୟାମୁଦ୍‌ବନ୍ଧନମଙ୍ଗୀକରିଷ୍ୟାମି ।

 

ଅର୍ଥ :-

ଶ୍ରୀମତୀ- ସତ କହ ସଜନୀ ରେ,

ଶୀଖଣ୍ଡଚୂଳିଆ ଶ୍ୟାମ

ଘେନିଲେଟି ନିବେଦନ ତୋର ?

ତୁଚ୍ଛ ତ ନାହାନ୍ତି ମଣି

 

ଅଙ୍ଗ ସଙ୍ଗ ପରସଙ୍ଗ ମୋର ?

ରଖିବି ନା ତେଜିବି ପରାଣ ?

କପଟ ନରଖି ଚିତ୍ତେ,

ଉଛୁର ନକରି, କହ ମୋତେ ।

 

ତମାଳ ଡାଳରେ

ଘେନି ଗଳାରେ ମୋ ରଜ୍ଜୁ

ହାରିବି ପରାଣ ?-

ଅବା ବଞ୍ଚି ମୁଁ ରହିବି ଆଶାଧରି ?

 

ଭାଷିଲେ ଲଳିତା ତହୁଁ-

 

‘ଦ’

ଅନୁଚିନ୍ତା

ଦରଶେ କିଶୋରୀ ନୟନୁ ଝରଇ ଦରଦର ନୀର ଧାର

ଦରଦୀ ସଖୀ ତ ଲଳିତା କିକରି ଦମ୍ଭ ଧରିପାରେ ତାର ?

ଦି’ପଦ ମାତର କହିଛି ଲଗାଇ ନାହିଁ ବୋଲି ଶ୍ୟାମପ୍ରୀତି

ଦୀପ ଲିଭାସରି ହେରିମୁଖଶିରୀ କହେ ଛାଡ଼ି କୂଟ ନୀତି ।।

 

-ଗୀତ-

ଦୁଃଖିଧନ ! ଦୁଃଖମୟ ନକର ସରସ ମନ,

ଦମ୍ଭ ଦେଖିବାକୁ ସିନା କଲି ଛନ୍ନ ।ପଦ।

ଦୂରୁଁ ମୁଁ ଯିବାର ଜାଣି ହରି, ଦରିଦ୍ର ନିଧି ଲଭିଲା ପରି,

ଦ୍ୱିଗୁଣ ଆଦରେ ପ୍ରମୋଦ ନଦରେ ମଜ୍ଜି ଘେନିଗଲେ କର ଧରି ।୧।

 

ଦୟା ଜର ଜର କରି ଚିତ୍ତ, ଦନ୍ତବାସେ ରଖି ଦରସ୍ମିତ,

ଦଶବାର ଅନାମୟ ମୋତେ ଘେନାଘେନି କରି ପଚାରିଲେ ମିତ ।୨।

ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୁତି, ଦଳି ହୋଇଗଲା ମୋର ଛାତି,

ଦ୍ୱିତୀୟାର ଶଶିରେଖା ପ୍ରାୟ ଦିଶିଗଲେଣି ସେ ଇନ୍ଦ୍ରି-ନୀଳହାତୀ ।୩।

 

ଦୁର୍ବାର ତୋ ନେତ୍ରାଞ୍ଚଳ ଶର । ଦେବାରୁ ଦୁଃଖ ଦୁଃସହତର,

ଦିବାଲା ହେବାର ଦେହ ମଜ୍ଜାସାର ଜାଣି ଯା ହେଲା ମାନସ ମୋର ।୪।

ଦୁର୍ବଳ ସାଳସ ଦେଖି ଚାଲି, ଦୁରୁହରେ କିଛି ପଚାରିଲି,

ଦୀର୍ଘତପତ ନାସାନୀଳ ତେଜନ୍ତେ ଆହା ମରଇ ତ ବିଚାରିଲି ।୫।

 

ଦେବ ଦଇବ ତୋ ଅଭିମତ, ଦୂରକର ଦ୍ୱାପରକୁ ମିତ,

ଦବିଷ୍ଟ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ ।୮।

(ରାଗ-କାମୋଦୀ । ତାଳ-ଏକତାଳି ।)

 

-ଗୀତକଥା-

ଲଳିତା କହୁଛନ୍ତି :-

ଦୁଃଖିଧନ, ତୋ ଟାଣ ପରଖିବାକୁ ସିନା ମୁଁ ଟିକିଏ ଡରାଇ ଦେଉଥିଲି, ସରସ ମନଟିକି ତୋ’ର ମାରିଦେ’ନା !

୧- ମୁଁ ଯାଉଛି ବୋଲି ଦୂରରୁ ବାରିପାରି ରଙ୍କ ନିଧି ପାଇଲାପରି ଆନନ୍ଦ ସାଗରରେ ବୁଡ଼ିଗଲେ ଶ୍ୟାମ, ଆଉ ଆଉ ଦିନଠୁଁ ମୋତେ ଦି’ ଗୁଣ ଆଦରରେ ମୋ ହାତ ଧରି ନେଇଗଲେ ।

୨- ଜାଣିଲୁ ମିତ, ସ୍ନେହଭରା ହୃଦୟରେ, ହସ ହସ ମୁହଁରେ ମୋତେ ଯେତେକ ଟେକାଟେକି କରି ଦଶଥର ତୋ କୁଶଳ ପ୍ରଶ୍ନ ପଚାରିହେଲେ ।

 

୩- ନୀଳହାତୀ ସତରେ ଏକା ଦ୍ୱିତୀୟାଜହ୍ନ ପରି କ୍ଷୀଣ ହୋଇଗଲେଣି- ତାଙ୍କୁ ଦେଖିକରି ଛାତି ମୋର ଦଳି ହୋଇଗଲା ।

୪- ତୋ କଟାକ୍ଷ ବାଣ ନିଶ୍ଚୟରେ ତାଙ୍କୁ ବଡ଼ ଦୁଃଖ ଦେଇଛି, ତାଙ୍କ ଦେହ, ମନ, ବଳ ସବୁ ଦୁର୍ବଳ ହେବାପରି ଦେଖି, ଯାହା ସତେ ହେଲା ମୋ ମନ, କଅଣ ଆଉ ତୋତେ ସେକଥା କହିବି ?

 

୫- ତାଙ୍କ ଦୁର୍ବଳ ଦେହ, ଅଳସ ଚାଲି ଭଙ୍ଗି ଦେଖି ମୁଁ ଦୁଃଖରେ କିଛି ପଚାରିଲାବେଳକୁ ସେ ଗରମ ଖର ନିଃଶ୍ୱାସ ପକାଇଲେ । ଏତକ ଦେଖି ମୋର ମନେ ହେଲା, ମରଣ ହେଲା ନାହିଁ କାହିଁକି ମୋତେ ଭଲା ?

୬- ସଖିରେ ! ଦଇବ ତୋ ମନବାଞ୍ଛା ସଫଳକରିବ । ମନରୁ ତୋର ସନ୍ଦେହ ଛାଡ଼ । ନିଶ୍ଚେଁ ଏ କଷ୍ଟ ତୋର ଦୂରହୋଇ ଯିବ । ଆଠଗଡ଼ ରାଜା ଏହା ରଚିଲେ ।

 

ଶ୍ଳୋକାଂଶ

ସମାଶ୍ୱସିହି ମାନିନି ତ୍ୱଦତିଧୈର୍ଯ୍ୟ ଜିଜ୍ଞାସୟା,

ନଟତ୍‌କପଟପାଟବଂ ତବପୁରଃ ପ୍ରଣୀତଂ ବଚଃ;

ଅମନ୍ଦମଧୁମନ୍ଦିରଂ କିମରବିନ୍ଦତୁନ୍ଦଂ ବିନା-

ନୁବିନ୍ଦତି ମୁଦଂ ହୃଦନ୍ତରଗତାଂ ମିଳିନ୍ଦୋ ଯୁବା ।

 

ପୁଷ୍ପିତା ମାକନ୍ଦମଞ୍ଜରୀଂ ବନପ୍ରିୟଇବ, ସରୋଜିନୀଂ

ଯୁବରୋଳମ୍ବ ଇବ, ଚନ୍ଦ୍ରିକାଂ ଚକୋର ଇବ, ପ୍ରତ୍ୟଗ୍ର-

ମୁଦିରମଣ୍ଡଳୀଂ ଚାତକ ଇବ, ଚିନ୍ତାମଣିମକିଞ୍ଚନ ଇବ, ତ୍ୱାମନବରତଂ

ବଲ୍ଲବମହୀମହେନ୍ଦ୍ରନୟନାନନ୍ଦଃ ସ୍ମରନ୍ କିଶୋରଃ ସୀଦତି,

ତ୍ୱଂ କଥଂ ରୋଦନେନ ରୋଦୟସି ରୋଦସୀ ?

 

ଅର୍ଥ :-

ଲଲିତା- ମାନିନୀ ଲୋ !

ନହୁଅ ଅଧୀରା ।

କହିଥିଲି କପଟ ବଚନ ସିନା

ପରଖିବି ଧୈର୍ଯ୍ୟ ତୋର ବୋଲି,

କାହିଁ ଗୋ, ଭ୍ରମର ଠାବ

ମଧୁଭରା କମଳିନୀ ଅଙ୍କ ବିନା ?

 

ବନପୀକ, ଭୁଲିକି ରହିବ ସଖି,

ବକୁଳ ମଞ୍ଜରୀ ?

ଚକୋର କି ନଝୁରେ ଚନ୍ଦ୍ରମା ?

ଚାତକ କି ପାଶୋରିବ ନବ ମେଘମାଳା ?

 

ଜାଣୁ ତ କିଶୋରୀ,

ଚିନ୍ତିମନେ ଚିନ୍ତାମଣି ସଦା,

ଦରିଦ୍ର ଯେସନ

ଅତିଦୁଃଖେ ବିତାଏ ଜୀବନ;-

ସେହି ମତି-

ସେହିମତି ଆରେ ଧନି !

 

କିଶୋର ଚନ୍ଦ୍ରମା

ଝୁରି ତୋରେ ସରେ ।

କାହିଁକି ଲୋ !

କାହିଁକିଲୋ ଆଉ ?-

 

କମଳ ନୟନ କୋଣେ

ଭରି ନୀର ବିନ୍ଦୁ,

କାନ୍ଦି ଆପେ

କନ୍ଦାଉଛୁ ଗଗନ, ଭୁବନ ?

 

‘ଧ’

ଅନୁଚିନ୍ତା

ଧଇଲା ପରାଏ ସରଗ ଚାନ୍ଦରେ ଚକୋରୀ କିଶୋରୀ ଭାଳେ

ଧଅସି ପଚାରେ ଲଳିତା ସଖୀରେ; ସତେ କେଉଁ ଭାଗ୍ୟଫଳେ:-

ଧନ ତୋ ଦୟିନୀ ଘେନି କହିଲେ କି ସନମତ ପଦ ‘‘ହେଉ’’

ଧରା ସରା ଏତେ ଶୁଣି ମଣିବି ଲୋ କୁଳ, ମାନ ପୋଡ଼ିଯାଉ ।

 

-ଗୀତ-

ଧୀରା ରେ, କି ଧନ ତୁ ନ ଦେଲୁ ଆଜ ।

ଧଇଲେ କି ସତେ କର ଯୁବରାଜ ।ପଦ।

ଧରମ ବଳୁ କି ମୋର,            ଧୃପି ଦେଇ ନିଜ କର,

କୋଳକୁ ଆଣିଲୁ କଳାଦ୍ୱିଜରାଜ ।୧।

 

ଧୁରନ୍ଧର ସେ ଇଙ୍ଗିତେ,            ଧରଷିଲୁ କେହି ସତେ,

ଧମକାଇଲା ନାହିଁ କି ତୋତେ ଲାଜ ।୨।

ଧରାରେ ଯେତେ ପୁରୁଷେ;            ଧୂର୍ତ୍ତ ତାହାଙ୍କ ଗୁରୁ ସେ

ଧନରୁ ଯେ ବଳେ ତାହାଙ୍କର ବ୍ୟାଜ ।୩।

 

ଧୃତି ହୋଇ ବଳହୀନ,            ଧୂସର ହୋଇବା ମନ

ଧୋଇ ଚିନ୍ତା କଳଙ୍କ ସମାଜ ମାଜ ।୪।

ଧରଣୀନ୍ଦ୍ର ଜଗଦ୍ଦେବ,            ଧ୍ୟାନେ ବଲ୍ଲବୀବଲ୍ଲବ-

ଧରାଧୂଳି କରେ ମସ୍ତକରେ ତାଜ ।୫।

(ରାଗ-କାଫି । ତାଳ-ଆଠତାଳି)

 

-ଗୀତକଥା-

ଶ୍ରୀମତୀ କହିଲେ- ପଣ୍ଡିତା ! ରେ ତୁ ସତେ ଆଜି ମୋତେ କି ଧନ ନ ଦେଲୁ ? ସତ କହ ସଖି, ବ୍ରଜ ଯୁବରାଜ ତୋ ହାତ କ’ଣ ଧରି ପକାଇଲେ ? ।ପଦ।

୧- ସତେ କ’ଣ ମୋ ଧର୍ମ-ବଳରୁ ତୁ ହାତ ବଢ଼ାଇ ସେ କଳାଚାନ୍ଦକୁ କୋଳକୁ ଆଣିଲୁ ସଖୀ ?

୨- ସେ ତ ପକ୍‌କା ଥଟଲି । ତୁ ସତେ କେମିତି ସାହସ କରି ତାଙ୍କ ମନ କଥା ବୁଝିଲୁ ମ ? ତୋତେ ଟିକିଏ ହେଲେ ଲାଜ ଲାଗିଲା ନାହିଁ ?

 

୩- ସଂସାରରେ ଯେତେ ଧୂର୍ତ୍ତ ପୁରୁଷ ଅଛନ୍ତି ସେ ତାଙ୍କ ଭିତରେ ଗୁରୁ । ତାଙ୍କର ତ ମୂଳରୁ ସୁଧ ବେଶି । ସେ ଯେତିକି କହନ୍ତି, ତା’ଠାରୁ ବଳିକରି କଥା ଆଦାୟ କରନ୍ତି ।

୪- ସଖି ! ମୁଁ ଧୈର୍ଯ୍ୟ ହରେଇ ଦେଇଛି । ମନ ସେଥିପାଇଁ ମଇଳା ହୋଇଯାଇଛି । ତାକୁ ଧୋଇଧାଇ ସଫାକରି ମନରୁ ମୋର ଚିନ୍ତା ଘୁଞ୍ଚାଇ ଦେ ।୪।

୫- ରାଜା ଜଗଦ୍ଦେବ ଧ୍ୟାନରେ ସେହି ଗୋପୀ ଓ ଗୋପାଳମାନଙ୍କର ବାସସ୍ଥାନର ଧୂଳିକୁ ମଥାର ମୁକୁଟ କରି ଘେନୁଚି ।

 

ଶ୍ଳୋକାଂଶ

ଭୂତିରଦ୍ୟ ସଖି କିଂ ନ ବିତୀର୍ଣ୍ଣା, ଯନ୍ମମ ଶ୍ରବଣସୀମ୍ନି ବିକୀର୍ଣ୍ଣା,

ବୀଜରାଜିରିବ ଶର୍ମଲତାୟାଃ, ସସ୍ମିତେନ୍ଦୁମୁଖୀ ବାଗନୁକୂଳା ।

ଘର୍ମୋର୍ମିତପ୍ତାଙ୍କୁରଶ୍ରେଣ୍ୟାଃ ପ୍ରତ୍ୟଗ୍ରବୃଷ୍ଟିରିବ, ରଜନ୍ୟାଃ କୌମୁଦୀବ, ତମଃସମୂହକବଳିତଶ୍ରିୟୋ ଗୃହଲେଖାୟା ଦୀପଶିଖେବ, ଯତିଚିତ୍ତବୃତ୍ତେର୍ବ୍ରହ୍ମାନନ୍ଦଧାରେବ ସାମ୍ପ୍ରତଂ ମମ ତ୍ୱମସି ।

 

ଅର୍ଥ :-

ସୁହାସିନୀ, ଶୁଭ-ଶଶିମୁଖି !

କି ଧନ ତୁ ନ ଦେଲୁ ଗୋ ସତେ ?

ଅନୁକୂଳ ବଚନ ତୋହରି

ସତେ ଏକା ସିନା ମୋର

 

ସୁଖ-ଲତା ଉପଜାତ ମୂଳ ।

ଗୁରୁ ଗୀରିଷମ ଦିନେ,

ଝାଉଁଳା ତରୁ-ଅଙ୍କୁର

ଲଭିଲା କି ସତେ ଅବା

 

ଆଶାଘନ ନବ ବାରି ଲଳିତ ପରଶ;

ଅବା, କୃଷ୍ଣ ନିଶିଥିନୀ ବୁକେ

ହିମକର ଚନ୍ଦ୍ର ଦେଲା ଛୁଆଁ !

ଅନ୍ଧ-ଛାୟା ଘେରା ଘରେ

 

କେ ଦେଲା ଗୋ ଜାଳି ସତେ

ଉଜ୍ଜଳ ଦୀପାଳି ?

ବ୍ରହ୍ମାନନ୍ଦ ଧାରା ଅବା କି ସେ;-

ସଂଯମୀ ଯତିର ଯାହା ଚିର ଆକାଂକ୍ଷିତ,

 

ସତେ ସହି, ସେହି ମତି-

ସେହି ମତି ବାଣୀ ତୋର

ଆନନ୍ଦ ଦେଲା ଗୋ ଆଜ ମୋରେ ।

କହିଲେ ଲଳିତା ଶୁଣି ଏତେ :-

 

‘ନ’

ଅନୁଚିନ୍ତା

ନିରେଖି ଧନୀର ଉଛୁଳା ପୀରତି ବନ୍ଧ-ଭଙ୍ଗା ଛଇ, ଗୋଇ

ନିଦା କଇତବ ଭଣିଲା ନପୁଣ ଭଲେ ଭେଲ ନ ଫଳଇ,

ନିଖୁଣ ସରାଗ ଅଛି ବୋଲି ତାର ନ ପାରିଲି ଅନୁମାନି

ନିରାଟରେ ଶଠ ଦଗାଦାର ସେ ତ କେ ଅବା ନ ଅଛି ଜାଣି ?

 

-ଗୀତ-

ନବବିଳାସିନି ରେ, ନକ୍ଷତ୍ରେଶ-ହାସିନି ।ପଦ।

ନାହିଁ ବୋଲିବା ବାଣୀ,            ନିପଟ ନାହିଁ ଶୁଣି

ନଳିନାକ୍ଷି ରେ ହୋଇ କିସ ହେବ,

ନନ୍ଦନନ୍ଦନ ପ୍ରେମା,            ପ୍ରେମାରେ ନୁହେଁ ଜମା,

ନିତମ୍ବିନୀଙ୍କି ଯେବ ଗତି ଥିବ ।୧।

 

ନିଷ୍ଠୁରଗୁଣ କୁଳି-            ଶରୁ ପଡ଼ିଛି ବଳି

ନିଶ୍ଚୟ ତିନିବର୍ଣ୍ଣ ନାହିଁ ଲେଖି ।

ନାଗରୀବିମୋହନ            ମନ୍ତ୍ର ମାତ୍ରକ ମନ-

କପଟ ସମ୍ପୁଟରେ ଅଛି ରଖି ।୨।

 

ନିରନ୍ତରାୟ ରସ-            ପ୍ରସାରଣେ ପୀୟୂଷ-

ଧାରାଧିକ୍‌କାରକାରୀ ପରି ଲାଗେ,

ନିମିଷକରେ ଜ୍ୱାଳା            ଜନ୍ମାଏ ଜିଣି ହଳା-

ହଳକୁ ଯେ ସଙ୍ଖାଳି ମହାନାଗେ ।୩।

 

ନିଶି ଦିନ ଶୟନ,            ନ ଜାଣଇ, ନବୀନ

ବିସିନୀଦଳ ଶେଯ ଯାଏ ଜଳି,

ନୀପବନ ପବନ,            ନିର୍ଦ୍ଧୂମଶିଖ ଧନ-

ଞ୍ଜୟ ଝାସରୁ କରେ କଟୁକେଳି ।୪।

 

ନିନ୍ଦାର ନିକେତନ,            ହୋଇବୁ ରେ ନୂତନ-

ମନ୍ଦାର-ବିମ୍ବ-କୁରୁବିନ୍ଦାଧରା,

ନିଶା-ରମଣ-କର-            କଳିକା-କଣ ତୋର,

ହୋଇଯିବ କଳ୍ପାନ୍ତ କାଳ ଖରା ।୫।

 

ନ’ ବରଷରୁ ଊଣା            କାଳୁତ ଅଛି ଜଣା

ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ,

ନବନୀରଜ କୋଷ-            ନୀଭ ତୋ କୁଚ କିସ

ଅଣ୍ଟିବ କଣ୍ଠୀରବମଧ୍ୟା ଘେନ ।୬।

 

ନିବେଦନ କରୁଛି            କରକଞ୍ଜ ଧରୁଛି,

ହେଲେ ହେଉ ଅରୁଚି ନିଦ୍ରାହାରେ,

ନରନାଥ ଶ୍ରୀହରି-            ଚନ୍ଦନ ବନ୍ଦେ ଗୋରି,

ନ ରସ ନୀଳବାହା ମୁଦ୍ରାହାରେ ।୭।

(ରାଗ-କାମୋଦି । ତାଳ-ଝୁଲା ।)

 

-ଗୀତକଥା-

ରେ ଚନ୍ଦ୍ରହାସିନୀ ନବରସିକା, ‘‘ନାହିଁ’’ ବୋଲି ପଦେ କଥା ମୁଁ ତା’ଠାରୁ ମୋଟେ ଶୁଣିନାହିଁ । ହେଲେ ଏକଥା ‘‘ହୋଇ’’ ଅବା କଅଣ ହେବ ? ଆରେ କମଳନୟନା, ଯେବେ ନିତମ୍ବବତୀ କେହି ଯୁବତୀର-ଅନ୍ୟ ଗତି ଥାଏ, ତେବେ ତା ପକ୍ଷରେ ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କର ପ୍ରେମରେ ବୁଡ଼ି ରହିବା ଆଦୌ ଉଚିତ୍ ନୁହେଁ ।୧।

 

ତା ନିଷ୍ଠୁରପଣିଆ ବଜ୍ରକୁ ବଳି ପଡ଼ିଛି । ନି, ଶ୍ଚ, ୟ ବୋଲି ତିନୋଟି ଅକ୍ଷର ସେ ତେବେ ଲେଖିନାହିଁ, କି ଜାଣିନାହିଁ । ତା ମନ-ରୂପୀ କପଟ ଫରୁଆରେ କେବଳ ନାରୀମାନଙ୍କୁ ବଶ କରିବା ମନ୍ତ୍ରଟି ଭରି ରଖିଛି ସେ । ସହଜରେ ନାଗରୀମାନଙ୍କୁ ବଶ କରିଜାଣେ ମାତ୍ର କାହାରିଠାରେ ସେ ନିଶ୍ଚିତ ପ୍ରେମ ରଖେ ନାହିଁ ।୨।

 

ସେ ଯେତେବେଳେ ଅନୁରାଗ ଅବା ସରାଗ ଦେଖାଏ, ମନେହେବ ସହି, ସତେ ଅମୃତ ଧାରା ଅବା ତୁଚ୍ଛ, ପୁଣି ଲହମାକ ଭିତରେ ତାହା ସାପର ଶଙ୍ଖୁଆ ବିଷଠାରୁ ବଳିକରି ପୀଡା ଦିଏ ।୩।

 

ସହିରେ, ଏଇନେ ତୋ ବିରହରେ ଆଖିରେ ତା’ର ରାତି କି ଦିନ ନିଦ ନାହିଁ, ପଦ୍ମ ଶେଯ ବିରହ ଜ୍ୱାଳାରେ ଜଳିଯାଉଚି, କେଳିକଦମ୍ବ ବଣରୁ ବହି ଆସୁଥିବା ପବନ ଧୂଆଁ ନଥିବା ନିଆଁ ଧାସଠାରୁ ଆହୁରି ତାତିଲା ଜଣା ପଡ଼ୁଛି ।୪।-

 

ବାକି ରେ ରଙ୍ଗଅଧରା, ତୁ ତା ଆଡ଼କୁ ମନ ଢାଳି ଦେଲେ ଲୋକନିନ୍ଦା ସାର ହେବ, ବିନ୍ଦୁଏ ଚନ୍ଦ୍ରକିରଣ ପ୍ରଳୟ ଖରାପରି ବାଧିବ ତୋତେ ।୫।

 

ସହି ! ଟିକିଏ ମନରେ ଭାବିଲୁ, ନଅ ବରଷରୁ ଊଣା ବୟସରେ ପରା ସେ ନଖ ଅଗରେ ଗିରି ଗୋବର୍ଦ୍ଧନକୁ ଟେକି ଧରି ଥିଲା, ଏକଥା ବା ନ ଜାଣେ କିଏ ? ଆରେ ସିଂହକଟିଶୋଭନା, ବଢ଼ିଆସୁଥିବା ପଦ୍ମକଢ଼ିପରି କୁଚ ତୋର, ସେ କଅଣ ତାକୁ ଅଣ୍ଟିବ ? ।୬।

 

ମୁଁ ତୋ କରକମଳ ଧରି ନେହୁରା ହେଉଛି ସହି ! ଖିଆପିଆ ତୋତେ ଅରୁଚି ପଛକେ ହେଉ, ସେ ନୀଳଭୁଜର ଆଲିଙ୍ଗନକୁ ଗଳାମାଳା କରିବାକୁ ଆଉ ମନ ବଳାନା । ରାଜା ଶ୍ରୀହରିଚନ୍ଦନ ବନ୍ଦନା କରୁଅଛି ।୭।

 

ଶ୍ଲୋକାଂଶ

ମଦ୍‌ବିଜ୍ଞାପନମାଦରେଣ ମହତା ସ୍ମିତ୍ୱାନୟତ୍ କେଶବଃ,

କର୍ଣ୍ଣାଭ୍ୟର୍ଣ୍ଣମପଶ୍ୟମୀଶ୍ୱରି ତଥା ଭଙ୍ଗୀସ୍ତଦଙ୍ଗୀକୃତେଃ,

ସତ୍ୟଂ ତାବଦିଦଂ ତଥାପି ସୁଦୃଶାଂ ଗତ୍ୟନ୍ତରଂ ଚେଦ୍‌ଭୁବି,

ପ୍ରେମା ତତ୍ର ବିଟେ ଶିଖଣ୍ଡମୁକୁଟେ ଧ୍ୟେୟୋ ନ ହେୟଃ ପରମ୍ ।

କୃଷ୍ଣଂ କୃଷ୍ଣବର୍ତ୍ମାନମିବ ଶଲଭରାଜିରାଶ୍ରିତ୍ୟତ୍ୱାଦୃଶଂ

ବାମଭ୍ରୁବାଂ ଚେତୋବୃତ୍ତିଃ ଶର୍ମେତରୋର୍ମିମନୁଭବତି ।

 

ଲଳିତା:-

ବ୍ରଜେଶ୍ୱରୀ,

ଆଦରେଲୋ, ହସି ମନ୍ଦ ମନ୍ଦ

ଘେନିଲେ ମୋ ନିବେଦନ କାହ୍ନୁ ।

ବାରିଲି ମୁଁ ଭଙ୍ଗି ଅନୁସରି,

ଅଙ୍ଗୀକାର ସତେ କଲାପରି ।

 

ତଥାପି ଲୋ, ନାଗରୀରତନ,

କି ବିଶ୍ୱାସ ଶିଖୀଚୂଳିଆରେ ?

ଧୃର୍ତ୍ତ ଶିରୋମଣି ସେ ତ, କିଏ ବା ନ ଜାଣେ ?

ଆନ ଗତି ଥିବ ଯା’ର

 

ଶ୍ୟାମ ତୁଲେ ପ୍ରେମ ଆଶା

ନ ଆଣୁ ସେ ମନେ ।

ମୋ ବିଚାରେ ସଜନୀ ଲୋ,

ତୁଚ୍ଛ ଜ୍ଞାନେ,

 

ଶ୍ୟାମଠାରୁ ଦୂରେ ଥିବା ଭଲ ।

ବାଧୁଛି ଏତିକି ମୋତେ,

ସୁକୁମାରୀ ସୁନ୍ଦରୀ ତୋ ସରି

କାହ୍ନୁଠାରେ ଢାଳି ଦେଇ ମତି,

 

ଘାରି ଯାହା ହୁଏ ମହା ଦୁଃଖେ;-

ପତଙ୍ଗ ଯେସନ,

ନ ବିଚାରି ମଙ୍ଗଳାମଙ୍ଗଳ

ଆଶ୍ରା ଲୋଡ଼ି ଅନଳଶିଖାର

 

ବରିଆଣେ ଜୀବନର ଦୁଃଖ ।

ଲଳିତା ଭଣତି ଶୁଣି-

ସଂଶୟ ଦୋଳାରେ ଦୋଳି

ଭାଷିଲେ ଶ୍ରୀମତୀ:-

 

‘ପ’

ଅନୁଚିନ୍ତା

ପଡ଼ିଲେକି ଖସି ସ୍ୱରଗୁଁ ପାତାଳେ କିଶୋରୀ ହେଲେ ସେ ସରି

ପୀଡ଼ି ଲଳିତାର କର ପଚାରିଲେ, ଏକି କଥା ସହଚରୀ,

ପହିଲୁ କହିଲୁ ସଂଖୋଳିଲେ ବନ୍ଧୁ ସନମାନ କରି ତୋତେ

ପଶା ନଈ ବୋଲି ପେଲି ଦେଉ ସଖି, ଗଣ୍ଡରେ ପଛନ୍ତେ ମୋତେ ?

 

- ଗୀତ -

ପ୍ରିୟ ସହି, ପରମାଦ ବଡ଼ ତୁହି ଗୋ,

ପାରୁ କେତେ ଛନ୍ଦେ ମୋହି ଗୋ ।ପଦ।

ପରମ - ପଦରେ ଦେଇଜାଣୁ ତୁ ବସାଇ,

ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ,

ପାଶୋରାଇ ମନୁ ନାନା କଦନ ଲସାଇ,

ପୀଡ଼ୁ ଅଶ୍ରୁ ବରଷାଇ ଗୋ ।୧।

 

ପ୍ରପଞ୍ଚ ଯାକରେ ଜଣା ନ ଥାଇ ସଂଶୟ,

ପସନ୍ଦ ନୁହଇ ପର ପୁରୁଷରେ ସ୍ନେହ,

ପରବଶ ହେବ ଯେବେ ପ୍ରାଣତୁଲେ ଦେହ,

ପ୍ରାଣୀ କି କରିବ କହ ଗୋ ।୨।

 

ପରବଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ,

ପରିଣତି ସମୟେ ସେ ହେବ ଯେବେ ବିଷ,

ପ୍ରସନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଳ୍‌ବିଷ,

ପ୍ରୟୋଗ କରିବା କିସ ଗୋ ।୩।

 

ପିଆଇ ଦୁହିଁଙ୍କୁ ଥରେ ଦୁହିଁଙ୍କ ଅଧର,

ପଛେ କହୁ ଆଚରଣ ପୂତନା ବଧର,

ପୀତପଟ ନଟ ନାଁ ମୋ ଆଗରେ ନ ଧର,

ପାଳିଏ ମାତ୍ର ଉଦ୍ଧର ଗୋ ।୪।

 

ପୁରନ୍ଦର - ମଣି ଶ୍ୟାମେ ଅଛି ମୋ ତରସ

ପରପରିବାଦ - ମୁଣ୍ଡେ ଟାକର ବରଷ,

ପୃଥ୍ୱୀଚକ୍ରବାଳ ପରିବୃତ ବାଲୁକେଶ,

ପ୍ରସାରିଲେ ଏ ରସ ଗୋ ।୫।

( ରାମ - ଭୈରବ । ତାଳ - ଆଠତାଳି )

 

- ଗୀତକଥା -

ଶ୍ରୀମତୀ କହିଲେ -

ତୁ ବଡ଼ ଦୁଃଖ ଦେଉଛୁ । କେତେ ଛଳରେ ସତେ, କେତେ କଥା କହୁଚୁ ! କେତେବେଳେ ତୁ ସ୍ୱର୍ଗରେ ବସାଇ ଦେଇ ଜାଣୁଚୁ ପୁଣି କେତେବେଳେ ପାତାଳକୁ ମଧ୍ୟ ଖସାଇ ଦେଇ ପାରୁଚୁ । ମନର ଦୁଃଖ ଭୁଲାଇ ଦେଉଚୁ ପୁଣି ବଳେଇ ମଧ୍ୟ ପାରୁଚୁ ।୧।

 

ପର ପୁରୁଷରେ ସ୍ନେହ ବଢ଼େଇବା ପସନ୍ଦ କଥା ନୁହେଁ - ଏ କଥା ତ ଜଗତଯାକ ଜାଣନ୍ତି । ବାକି ଦେହ ଓ ପ୍ରାଣ ଯଦି ପରର ଅଧୀନସ୍ଥ ହୁଏ, ସେତେବେଳେ ପ୍ରାଣୀ କ’ଣ କରିବ, କହ ।୨।

 

ପୂର୍ଣ୍ଣ ଚନ୍ଦ୍ରକୁ ଚିପୁଡ଼ି ଅମୃତ ପିଇ ଜୀର୍ଣ୍ଣ କଲାବେଳକୁ ଯେବେ ସେ ବିଷ ପାଲଟେ, ଆଉ ଗଙ୍ଗାକୁ ଆଶ୍ରାକରି ଗାଧୋଇଲେ ଯେବେ ପାପ ହୁଏ ତେବେ ସେଥିକି କ’ଣ କରିବା, କହ । ୩।

 

ସହି ମ, ଆଗେ ଆମ ଦୁହିଁଙ୍କୁ ଦୁହିଁଙ୍କ ଅଧର ଚୁମ୍ବନର ସୁବିଧା କରିଦେ, ପଛେ ତୁ ସେ ପୁତନାକୁ ମାରିଥିଲେ ବୋଲି କହୁଥା, ଅର୍ଥାତ୍‌ ମିଳନ ଘଟାଇ ଦେଇସାରି ପରେ ତୁ ତାଙ୍କୁ ନାରୀମରା ବୋଲି କହ । ସେ ପୀତପଟ ନଟ ଅର୍ଥାତ୍‌ ହଳଦିଆ ଲୁଗା ପିନ୍ଧା ଜଣେ ନଟକୁଟିଆ ବୋଲି ଆଗରେ କହନା । ମତେ ଏ ଦୁଃଖରୁ ଥରେ ପାରିକର । ।୪।

 

ଲୋକନିନ୍ଦା ମୁଣ୍ଡରେ ଠଣା ମାରିଦେ ସଖି ! ସେ ଇନ୍ଦ୍ରନୀଳମଣି ଶ୍ୟାମଙ୍କଠାରେ ମୋର ପୂର୍ଣ୍ଣ ଆଶା ଅଛି । ରାଜା ବାଲୁକେଶ ଏ ରସ ପ୍ରଚାର କଲେ ।୫।

 

ଶ୍ଳୋକାଂଶ

ମାମଭ୍ରଂଲିହନବ୍ୟଦିବ୍ୟବଡ଼ଭୀନିର୍ଯୁହପର୍ଯ୍ୟଙ୍କିକା-

ସଂବିଷ୍ଟାଂ ସବିଧାୟ ବିକ୍ଷିପସି କିଂ ତସ୍ୱାଦଧୋଽଧଃ ପୁନଃ ।

ଆର୍ତ୍ତସ୍ୟାତିପିପାସୟାମୃତଝରୀବାର୍ତ୍ତାଂ ନିବେଦ୍ୟଶ୍ରୁତୌ,

ଭୂୟଃ ଶମ୍ବକଦମ୍ବକେଳିକଠିନଂ କିଂ ଭାରତୀଂ ଭାଷସେ ।

 

ଜନ୍ତୋଃ ସନ୍ତତଚିନ୍ତାରୁନ୍ତୁଦକୁନ୍ତମୁଖାଗ୍ରଦଳିତହୃଦୟସ୍ୟ ପିପାସାର୍ତ୍ତସ୍ୟ ବଦନାନ୍ତିକେ ସୁଧାସୁଧାରାଂ ବିନ୍ୟସ୍ୟ ମନ୍ତୁମନ୍ତରେଣ ପୁନରାଚ୍ଛିଦ୍ୟ କୋ ବା ନିନୀଷତି ।

 

ଶ୍ରୀମତୀ - ଏ କି କଲୁ ସଖୀ,

ମେଘ - ଛୁଆଁ ସରସ ସୁନ୍ଦର ପୁରେ

ବାଡ଼ଘେରା ପଲଙ୍କେ ଶୁଆଇ ମୋତେ,

ଦେଉ ପୁଣି ଖସାଇ ତଳକୁ ?

ଶୋକରେ ବିକଳବେଳେ

 

କାନେ ଥରେ

ଅମୃତ ମିଳିବ ବୋଲି

ଆଶା ବାଣୀ ଭରି,

କିପରି ଲୋ, ସତେ

ଶୁଣାଇ ପାରୁଛୁ କହ

 

ବଜ୍ରଠାରୁ କଠିନ ବଚନ ?

ଚିନ୍ତା - କୁନ୍ତଘାତ

ନିତି ନିତି ଦେଉଚି ଲୋ ପୀଡ଼ା ।

ଅମୃତର ଧାରା ଢାଳି

 

ମୁଖ ପାଶେ ତା’ର

ଅଦୋଷରେ କାଢ଼ିନେବ

କିଏ ତା ଆଗରୁ ?

 

ବିନୟ ବଚନ ଶୁଣି ଶ୍ରୀମତୀଙ୍କ ମୁଖୁଁ, କହିଲେ ଲଳିତା -

 

‘ଫ’

ଅନୁଚିନ୍ତା

ଫଡ଼କା ଉଡ଼ା ତୁ ‘ଶ୍ୟାମ- ସୋହାଗିନୀ’ ବୋଲାଇ ବରଜ ସାରା

ଫିଟାଇ କହିଲି ମରମ-ଗଣ୍ଠି ମୁଁ, ଫଳ ତାର ଏହା ପରା ?

ଫୋପଡ଼ ବଜାଇ ବାଞ୍ଝ ଆମ୍ବଡାଳେ, କଷିଟାକୁ ଆଶା କାହିଁ ?

ଫମ୍ପାକଥା କହି ତୋ ମନ ରଞ୍ଜାଇ ଲଳିତାଜାଣି ତ ନାହିଁ ।

 

- ଗୀତ -

ଫାଟି ପଡ଼ିବାର ନିକୁଞ୍ଜସଞ୍ଚାର -ଶ୍ରମୁଁ ମୋ ଚରଣତଳ,

ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁ ଫଳ,

ରେ କିଶୋରି, ଫିଟିଗଲା ଯେ ସନ୍ଦେହ,

ଫୁଲିଗଲୁ ଫୁଲଲଲାମରସିକା ଜାଣି ପରା ଶ୍ୟାମ ସ୍ନେହ ରେ ।୧।

 

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ହେଲା,

ଫଟା କପାଳରେ କୁଟିଳ - ହୃଦୟା ବୋଲାଇବା ଲେଖାଥିଲା,

ରେ କିଶୋରି, ଫନ୍ଦାଧନ ତୁ ତ ମୋର,

ଫରିଆଦ କାହିଁ ତୋ ନାମେ କରିବି ନିନ୍ଦାକଲେ ପଛେ କର ରେ ।୨।

 

ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି,

ଫଉଜତୁଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀଧାରିଣୀକି,

ରେ କିଶୋରି, ଫରମାସ ମନେ ମନେ,

ଫେଇଦିଅ ତୁ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେ ରେ । ୩ ।

 

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜି ତ ଥିବାର ସତ,

ଫେଡ଼ନ୍ତୁ ତୋ କଷ୍ଟ ସୁଖଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ,

ରେ କିଶୋରି, ଫୁରୁଣା ହୋଇ ତୁ ରସ,

ଫେରିଆସି ମାତ୍ର ଆମ୍ଭ ଆଗେ ନେତ୍ରକଞ୍ଜୁ ନୀର ନ ବରଷରେ ।୪।

 

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି

ଫୁଙ୍କିଦେଲେ ଉଡ଼ିଯିବା ପରି ସଡ଼ି ଅଛି ଟି ତନୁ ବଲ୍ଲରୀ,

ରେ କିଶୋରି, ଫୁକାରା ନୋହୁ ଜଗତେ,

ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ । ୫।

( ରାଗ-ଖମ୍ବାଜ । ତାଳ-ଆଠତାଳି )

 

- ଗୀତକଥା -

ଲଳିତା କହିଲେ -

ଶ୍ରୀମତୀ, କୁଞ୍ଜବନକୁ ଦଉଡ଼ାଦଉଡ଼ି କରି ମୋ ତଳିପା ଫାଟିଲା, ତେବେକେ ତୋ’ଠାରୁ ‘ମିଛୋଇ’ ବୋଲି ଅପବାଦ ଶୁଣିବାକୁ ଥିଲା । ଏଇତା ହେଲା ଶେଷ ଫଳ ସିନା ! ହଉ, ଲୋ କୁସୁମ - ରସିକା, ଏଥର ଶ୍ୟାମ ସ୍ନେହରେ ଆଉ ସନ୍ଦେହ ନଥିବାର ଜାଣି, ମନେ ମନେ ଫୁଲିଗଲୁ ପରା ? ।୧।

 

କେତେ କାକୁତି ମିନତି ହେଇ ତାଙ୍କୁ କହିଲି, ଶେଷରେ ଦାନ୍ତରେ କୁଟା ଧରିବା ଯାଏ ଗଲା । ହେଲେ, ଫଟାକପାଳକୁ ମୋର ‘କୁଟୀଳା’ ବୋଲି ଶୁଣିବାକୁ ଥିଲା ! ହଉ ହେଲା, ଆଉ କାହା ଆଗେ ନାଲିଶ କରିବି ? ତୋତେ ତ ଆଶ୍ରାକରି ପଡ଼ିଛି, ନିନ୍ଦାକଲେ, କର ।୨।

 

ଏବେ ତୁ ଫରୁଆରେ ସମ୍ପାଦିଲାପରି ସେ ନୀଳମଣିକି ତୋ କୁଚ ଭିତରେ ପୁରାଇ ରଖ; କୁଞ୍ଜଦ୍ୱାରରେ ବେତଧରା ପ୍ରହରୀମାନଙ୍କୁ ଜଗେଇଦେ, ଯେମିତି ସେ କୁଆଡ଼େ ପଳାଇ ନଯାଏ । ମନେ ମନେ ସବୁକଥା ତୁ ବରଦା କରିଦେ । ଆଉ ମୁଁ ଯେବେ କେବେ ସେ ଆଡ଼କୁ ଯାଏଁ ମୋ ମହତ ସାରିଦେ ।୩।

 

ଆମକୁ ତୁ ଅପମାନ ଦେଇ ଦୂରକୁ ଠେଲି ଦେଲେ ବି ଆମେ ତୋତେ ଭରସା କରି ରହିଥିବୁ । ବିଧାତା ତୋ ମନବାଞ୍ଛା ସଫଳ କରୁ, ଏତିକି ଆମର କାମନା । ବାକି ଦେଖ୍‌, ସେଠାରୁ ଫେରି ତୁ ଯେମିତି ଆମ ଆଗରେ ଆଉ ଲୁହ ନ ଝରାଉ ।୪।

 

ଏଇନେ କର୍ପୂର ଚନ୍ଦନଜଳ ତୋ ଦେହ ଫୋଟକା କରି ଦେଉଛି: ଏମିତି ଶୁଖି ଗଲୁଣି ଯେ ଫୁଙ୍କି ଦେଲେ ଟଳିପଡ଼ିବୁ । ଯାହା ହେଲା ହେଲା, ଏ କଥା ଆଉ ସଂସାର ନଜାଣୁ । ତୁ ବିଫଳ ମନୋରଥ ହୁଅନା । ଜଗଦ୍ଦେବ ହରିଚନ୍ଦନ ଗୀତରେ ଏହା କହିଲେ ।

 

ଶ୍ଳୋକାଂଶ

ଆକୁଞ୍ଜଂ ଭବନାଦ୍‌ବନାଦପି ତବା ପ୍ରୋତ୍ତୁଙ୍ଗସୌଧୋଦରମ୍‌,

ଯାତାୟାତ ପଦାନ୍ତପାତଜଫଳଂ ଲବ୍‌ଧଂ ମୟେତଃ ପରମ୍‌।

ଅନ୍ୟାପେକ୍ଷିତଶୂନ୍ୟମୀଶ୍ୱରି ଯୁବାମନ୍ୟୋନ୍ୟଦୈାତ୍ୟେନ ତତ୍‌

ସୌଭାଗ୍ୟଂ ବିତତଂ ମୁଦାନୁଭବତଂ ନାୟାସି ମାୟାବିନୀ ।

 

ହା ହା ଚନ୍ଦ୍ରକଚୂଡ଼ାନନ୍ଦନଚରିତେ, ମାମପ୍ରତ୍ୟୟଦୁତ୍ୟବିଶିଷ୍ଟାଂ ନ ନିରାକୃତ୍ୟ ପ୍ରତ୍ୟହଂ ପ୍ରତ୍ୟୁହପ୍ରତିହନ୍ୟମନ ମାନୋରଥମଞ୍ଜରୀଫଳ ଲାଭାସି ।

 

ଲଳିତା - ମିଳିଗଲା, ମିଳିଗଲା

ମୋତେ ଲୋ କିଶୋରି !

ପୁରୁଂ ତୋର କୁଞ୍ଜବନ ଦଉଡ଼ାଣି ଫଳ ।

ଏଥରକ ତୁମେ ଦୁହେଁ,

ନିଜ ନିଜ ଦୂତ, ଦୂତୀ ରୂପେ


      କାର୍ଯ୍ୟସାଧି,

ଲଭ ଗୋ ସୌଭାଗ୍ୟ ସୁଖ ।

ମାୟାବିନୀ ମୁହଁ ରାଇ !

ମାଡ଼ିବି ନାହିଁ ଗୋ କେବେ ଏକୁଞ୍ଜ ଦୁଆର ।

ଏତିକି ମାତ୍ରକ ଦୁଃଖ ହୁଏ ମନେ ମୋର -

 

ଦୂତୀ ରୂପେ ପଠିଆଇ

ମୋହୋସରି ଅବିଶ୍ୱାସିନୀରେ

ନିତି ନିତି ହେଲା ଯାହା

ମନୋରଥ ବିଫଳ ତୋହର ।

ତହୁଁ ; ଲଳିତା ମୁଖର ବାଣୀ ଶୁଣି -

 

‘ବ’

ଅନୁଚିନ୍ତା

ବାଲିବାହୁଟିଆ ଚିରାମରାବେଳେ କଚାଡ଼ି ପଡ଼ିଲା ସତେ !

ବାଣୁଆଁ ଲାଖରେ ଚିଆଡ଼ ବାଜିଲା ଭୁକି ପିଠି ପରିଯନ୍ତେ,

ବିଡ଼ୁଥିଲା ସିନା ବନାଇଁ ଲଳିତା କଇତବ କଥା କହି,

ବାରିନପାରି ତା’ ବୋଇଲେ କିଶୋରୀ ବଞ୍ଚାଅ ରେ ଜୀବ ସହି !

 

- ଗୀତ -

ବିଚକ୍ଷଣାରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ । ପଦ ।

ବୋଲି ଦେଲି ସିନା ଗେଲେ ହସି, ବିଶ୍ୱେ ତୋ ସମ କାହିଁ ବିଶ୍ୱାସୀ,

ବାନ୍ଧିବାକୁ ମୋ ମନ ତୁ ପାଶି,

ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ ।୧।

 

ବିଶ୍ୱମ୍ଭରା - ରଜ ଖେଳକାଳୁଁ,             ବହିଃ ପ୍ରାଣ ପରି ପରିପାଳୁ

ବିଧି - ବଶୁ ନିସର୍ଗ - କୃପାଳୁ,

ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣା ରେ ।୨।

 

ବିକେକିଣେ ଯେ ଯାହାକୁ ସ୍ନେହେ; ବଡ଼ ତା’ଠାରୁ ଜୀବନ ନୋହେ,

ବଳ ତାହାଠାରେ ସିନା ସହେ,

ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣା ରେ ।୩।

 

ବୋଲେ ଅଷ୍ଟଦୁର୍ଗର ମଘବା            ବଲ୍ଲୀ ନିକଟକୁ ଚାଲିଯିବା

ବଂଶୀଗୀତ ପୀୟୂଷ ପିଇବା,

ବିଭାବରୀ ନ ପାହୁଁ ଆସିବା ଅଜଣାରେ ।୪।

( ରାଗ - ସାବେରି । ତାଳ - ଆଠତାଳି )

 

- ଗୀତକଥା -

ଶ୍ରୀମତୀ କହିଲେ-

ଚତୁରୀ ଲୋ, ତୋ ସ୍ନେହ ଛଡ଼ା ମୋର ଆଉ ଏ ସଂସାରରେ କିଏ ଗତି ଅଛି ?

୧ - ଗେଲରେ ସିନା କହିଦେଲି ତୋତେ, ହେଲେ ସତରେ ଏ ସଂସାର ଭିତରେ ବିଶ୍ୱାସୀ ବୋଲିବାକୁ ମୋର ଆଉ କିଏ ଅଛି ? ତୁ ଏକା ମୋ ମନକୁ ଫାଶରେ ବାନ୍ଧିଲାପରି ଧରି ରଖିଛୁ । ମୋ ମନ ଗହନର କଥା, ବିଶେଷ କରି, ତୁ ଜାଣୁ ।

୨- ପ୍ରାଣଟା ସିନା ତୋର ତୋ ଦିହ ଭିତରେ ଅଛି, ମାତ୍ର ଧୁଳିଖେଳ ଦିନରୁ ତୁ ମୋତେ ତୋ ଦେହ ବାହାରର ଜୀବନ ପରି ପାଳି ଆସିଛୁ । ଦଇବେ ତୁ ଦୟାବତୀ ବୋଲି ଏ ଗୋପ ନଗର ସାରା ନାଗରା ବାଜୁଛି ।

୩- ସହି ! ଯେ ଯାହାକୁ ସ୍ନେହରେ କିଣେବିକେ, ଜୀବନଟା ତାଠୁଁ ବଡ଼ ନୁହେ ତ ! ଦେଖୁ ନାହୁଁ, ଯେଉଁମାନେ ସତରେ ଆପଣାର ନୁହନ୍ତି, ସେଭଳି କେତେ ଏମିତି ବାହାରେ ବୁଲୁ ନାହାନ୍ତି କି ?

୪ - ଚାଲ ସହି, ଲତାକୁଞ୍ଜ ପାଖକୁ ଯିବା, ଶ୍ୟାମ ମୁରଲୀଗୀତ ସୁଧା ପିଇ, ରାତି ନପାହୁଣୁ ଲୋକଙ୍କ ଅଜଣାରେ ବାହୁଡ଼ି ଆସିବା ।

ଆଠଗଡ଼ର ରାଜା ଏହା ରଚିଲେ ।

 

ଶ୍ଳୋକାଂଶ

କୌତୁକାଲ୍ଲପିତମୀଷଦତଥ୍ୟଂ

କୌତୁକା ହୃଦି ଦଧାତି ବୟସ୍ୟା,

ପିଷ୍ଟପେ ମମ ଯଥା ତ୍ୱମହେୟା

ପିଷ୍ଟ ପେଷଣଭୟାନ୍ନ ବଦାମି ।

 

ରସିକାଂ ପ୍ରାଣାଧିକାଂ ତ୍ୱାଂ ବିନାତ୍ର ନଗର୍ଯ୍ୟାଂ ମଦୁକ୍ତି ନୈଷ୍ଠୁର୍ଯ୍ୟ ନିଦାନପର୍ଯ୍ୟାଲୋଚନଚାତୁର୍ଯ୍ୟାଧୁର୍ଯ୍ୟା କା ବାନ୍ୟାଭୀରକନ୍ୟାସ୍ତୀତି ଧୈର୍ଯ୍ୟମବଲମ୍ବ୍ୟ ଯଦୁକ୍ତମନୁଚିତଂ ତଦ୍‌ବିସ୍ମୃତ୍ୟାଗଚ୍ଛାବାଂ ଗତ୍ୱା କୁତ୍ରଚିନ୍ନିଲୀୟ ଯୌବତଜୀବନାନ୍ତ ଯାତନାଯତମାନ କଟାକ୍ଷଲୀଳସ୍ୟାପି ତସ୍ୟା ଖଣ୍ଡଶିଖଣ୍ଡମଣ୍ଡିତଶେଖରସ୍ୟ ଦ୍ଭମରମଣୀୟ ୟା ଭୁବଃ ସୁଷମା ମବଲୋକୟିଷ୍ୟାବଇତି ବିଡ଼ମ୍ବିତସୂନକଳମ୍ବବିଜୟଡ଼ିଣ୍ଡିମାଡ଼ମ୍ବରାବଳମ୍ବି ଚରଣମଣ୍ଡନଂ ନିଃସତ୍ୟ କଦମ୍ବ କୁଞ୍ଜକାନନାନ୍ତର୍ବିବିଶତୁଃ ।

 

ଶ୍ରୀମତୀ - ସଜନୀ ଲଳିତା !

କହ ଦେଖି,

କେଉଁ ସଖୀ ଜଗତରେ

ଗାରକରି ରଖେ ସତେ

ବୁକୁରେ ତାହାର -

 

ଛଳଭରା ଅସାର କଥାକୁ ?

ବହକ ହୋଇବ ସିନା ଅଧିକ ବୋଇଲେ :-

କିଏ ସେ ନଜାଣେ ଅବା

ତୋର ମୋର ମନ ଦିଆଦେଇ ପଣ -

 

କି ଭଳି ଅତୁଟ ?

କହିଲୁ ତୁ ସତେ,

କିଏ ଅଛି ଚତୁରୀ ଏସନ

ସାରା ବରଜ ନଗରେ,

 

ଆଲୋଚନା କରି ଯେ ପାରିବ କେବେ

ନିଷ୍ଠୁର ବଚନ ମୋର ?

ଧୈର୍ଯ୍ୟଧର ସଖି !

ଦିଅ ଲୋ ପାଶୋରି ସବୁ କଥା ;-

 

ଅନୁଚିତ ମଣୁ ଯାହା ।

ଚାଲ, ଯିବା ଚାଲ -

ଦେଖିବା ଲୋ,

କାହିଁ ସେହି ରମଣୀ - ମନମୋହନ

 

ବରଜ ସୁନ୍ଦର -

ଲତା ଉହାଡ଼ରେ ଲୁଚି

ଖେଳାନ୍ତି କଟାକ୍ଷ ସଖୀ,

ଯୁବତୀର ଜୀବନ ନାଶନେ ।

 

ନିରେଖିବା ଦୁହେଁ ମିଶି

ସେ କାନନ ଶୋଭା :-

ଯାହା ରମଣୀୟ ହୋଇଅଛି

ଶ୍ୟାମଘନ ଭ୍ରମଣ - ବିଳାସେ ।

 

ମୁକର ହେଲାରୁ ଯିବା କଥା

ଫେଇ ଚରଣରୁ

ମଦନର ବିଜୟ ଡିଣ୍ଡିମ ଜିଣା -

ବାଜେଣି ନୂପୁର,

 

ପ୍ରବେଶିଲେ ଦୁହେଁ ଧୀରେ

ଲୁଚି ଲୁଚି

କଦମ୍ବ ନିକୁଞ୍ଜେ ।

ତହୁଁ, ଲତା ଅନ୍ତରାଳେ ଥାଇ

ଶ୍ୟାମଶୋଭା ଦେଖାଇ ଧନୀରେ

ଭଣିଲା ଲଳିତା -

 

‘ଭ’

- ଅନୁଚିନ୍ତା -

ଭୁଲାଇ ସିନା ମୁଁ କହିଦେଲି ପଦେ ଭଡ଼କି ଗଲୁକି ସତେ,

ଭଲେ କି ତୋ ଦୁଃଖ ସହୀ ରେ, ସହିବି ବିଚାର ନକଲୁ ଏତେ ?

ଭଜି ହେଉ ଯା’ରେ ଶୟନେ ସ୍ୱପନେ, ଜାଗରଣେ ଆରେ ଗୋରି !

ଭଣିଲା ଲଳିତା, - ଦେଖିବୁ ଆସରେ, ସେ ତ ମରେ ତୋରେ ଝୁରି ।

 

- ଗୀତ -

ଭଙ୍ଗୀ ଚାହାଁ, ଭୁରୂନୀଳଭୁଜଙ୍ଗୀ-ଭ୍ରମର, ଜୀବସଙ୍ଗି । ପଦ।

ଭାଗ୍ୟ ଏ ଜନଆଖି, ଜନନରଟି ସଖି, ଜାଣ ରେ,

ଭରମି ନ ଯା’ତୁ ମନ୍ମଥ ବାଣରେ,

ଭୁଜପାଶକୁ ଛନ୍ଦି ମୋ ଗଳେ, ଭିଡ଼େ ପଦକଞ୍ଜ ଖଞ୍ଜ ଧରଣୀ ତଳେ

ଭୂମଣ୍ଡନା ରେ,

 

ଭଲା ମାନୁଛି ଦେଖ, ମୁଖସୁଧା ମୟୁଖ,

ଅଳକତଳ ଅଖଣ୍ଡିତ ରୋଚନା ରେଖ,

ତିଳକେ ଦୃଷ୍ଟି ରଖ, ସଖି ରେ, କି ଦିଶେ ଚଳାଚଳ,

ଚାରୁଚନ୍ଦ୍ରକଚୂଳ ।୧।

 

ଭର୍ତ୍ସିତ ନବରବି, କୁଣ୍ଡଳ-ଯୁଗଛବି, ଗଣ୍ଡରେ,

ଭିଦୁର ଏହିଟି ବିବେକ ମୁଣ୍ଡରେ,

ଭବ୍ୟଦାୟକ ମାଣିକ୍ୟବର, ଭ୍ରମ ଜାତ କରୁଅଛି ମଧୁରାଧର,

ଭୂମଣ୍ଡନା ରେ !

 

ଭୁଷୁଡ଼ିବଟି ସତୀ-ବ୍ରତ ନିୟମ ଧୃତି,

ଶ୍ରୀଅଙ୍ଗସଙ୍ଗ ମତି, ବିନା ଅନାଅ ଦ୍ୟୁତି,

ମଦହିରଦଗତି, ସଖି ରେ, ଶୋଭାନିଧି ତୋ ଗାତ୍ର,

ନ ଚୁମ୍ବୁ ଶ୍ୟାମ ନେତ୍ର ।୨।

 

ଭଙ୍ଗୀତ୍ରୟରେ ଉଭା, ହେବାର କେଡ଼େ ଶୋଭା, ପ୍ରକାଶେ

ଭରାଜି କି ହାର ସେ ବକ୍ଷ ଆକାଶେ,

ଭର୍ଗସମାଧି ଭଙ୍ଗ କରିବ, ଭଲେ ଏହା କରକମଳ ବଂଶୀରବ,

ଭୂମଣ୍ଡନା ରେ,

 

ଭୂତିଭୂକ୍ଷ-ବିପକ୍ଷ-ପ୍ରକ୍ଷ୍ୱେଡ଼ନରୁ ତିକ୍ଷ,

ଏ କିଶୋର କଟାକ୍ଷ, କନକାଚଳ ବକ୍ଷ

କେବଳ ଏହା ଲକ୍ଷ୍ୟ, ସଖି ରେ, କହ ବିଚାର ସତେ

ଯୁବତୀଧୃତି କେତେ ? ।୩।

 

ଭାଷିଲେ ଅଷ୍ଟଦୁର୍ଗ - କ୍ଷିତି କପଟ ସ୍ୱର୍ଗ - ମଘବା, -

ଏ ଶୃଙ୍ଗାର ସୁଧା - ବରଷୀ ମେଘ ବା;

ଭୃତ୍ୟପଣରେ ହେଲେ ଏହାର ଭୁଜ ଭୁଜଗେନ୍ଦ୍ର କରନ୍ତା କଣ୍ଠେ ହାର

ଭୂମଣ୍ଡନା ରେ ;

 

ଭଜିଥାନ୍ତା ରଜନୀ, ଦିବସେ ପିକଦାନୀ,

ଖଟି ଏ କୃପା ଘେନି; ସାର୍ଥ ହୁଅନ୍ତା ଜନି,

ସତେ ଜଳଜଯୋନି, ସଖି ରେ, କରିବେ ଅନୁଗ୍ରହ ;

ଏ ମୋହନ ବିଗ୍ରହ ।୪।

( ରାଗ - କେଦାର ଗୌଡ଼ା । ତାଳ - ତ୍ରିପୁଟା )

 

- ଗୀତକଥା -

ଲଳିତା କହିଲେ :- ଜୀବନ-ସଙ୍ଗିନୀ, ନୀଳ-ସର୍ପିଣୀ ପରି ଦେଖାଯାଉଥିବା ଶ୍ରୀକୃଷ୍ଣଙ୍କର ଭ୍ରୂଲତା ଭଙ୍ଗିକୁ ଚାହାଁ ।

୧- ସଖି ! ଏହାକୁ ଦେଖି ମନୁଷ୍ୟର ଆଖିର ଜନ୍ମ ସାର୍ଥକ ହେଲା । ତୁ ସଖୀ, ଆଉ ଏ ରୂପକୁ ଦେଖି ମଦନ ବାଣରେ କାତର ହୋଇ ପଡ଼ନାହିଁ । ମୋ ଗଳାରେ ତୋ ହାତକୁ ଫାଶ କରି ଛନ୍ଦି ଦେଇ, ଆଉ ଭୂଇଁ ଉପରେ ଦମ୍ଭ କରି ପାଦକୁ ରଖି ଛିଡ଼ାହୁଅ । ରେ ଭୂମଣ୍ଡନା, ଶ୍ରୀମୁଖ ଚନ୍ଦ୍ରମା କେଡ଼େ ସୁନ୍ଦର ଦିଶୁଅଛି । ଚୂର୍ଣ୍ଣ କୁନ୍ତଳ ତଳର ଅଖଣ୍ଡ ଗୋରଚନା ତିଳକକୁ ଆଖିପକା । ଗତିମନ୍ତ ସୁନ୍ଦର ମୟୂର - ଚୂଳ କେଡ଼େ ମନୋହର ଦିଶୁଚି, ଅନାଁ ।

ନବ ଅରୁଣ ତେଜକୁ ବଳି ଗଣ୍ଡରେ ଥିବା କୁଣ୍ଡଳ ଦୁଇଟିକୁ ଦେଖିଲେ ବିବେକ ହଜିଯାଏ । କମନୀୟ ଅଧରକୁ ଚାହିଁଲେ ସୁଖଦାୟକ ସର୍ବଶ୍ରେଷ୍ଠ ମାଣିକ୍ୟ ବୋଲି ଭ୍ରମ ଜାତ ହେଉଛି । ସଖି ! ଏ ସବୁକୁ ଦେଖିଲେ ସତୀ ସ୍ତ୍ରୀ ହେଲେ ମଧ୍ୟ ତାର ଧୈର୍ଯ୍ୟ ଏକାବେଳେ ନଷ୍ଟ ହୋଇଯିବ । ରେ, ଭୂ - ମଣ୍ଡନା, ତୁ ଶ୍ୟାମର ଅଙ୍ଗ ସଙ୍ଗ ନ ମନାସି କେବଳ ଶ୍ରୀଅଙ୍ଗ ଶୋଭାକୁ ଅନାଁ । ସଖି ! ତାଙ୍କ ନେତ୍ର ତୋ ଅଙ୍ଗଚୁମ୍ବନ ନକରୁ ।୨।

ସଖି ! ତ୍ରିଭଙ୍ଗ ଠାଣିରେ ଉଭା ହୋଇ ଶ୍ୟାମ କେଡ଼େ ମନୋହର ଦିଶୁଚନ୍ତି, ଅନାଁ । ଶ୍ରୀକରରେ ଶୋଭାପାଉଥିବା ବଂଶୀର ସ୍ୱନ, ମହାଦେବଙ୍କ ପରି ଯୋଗୀର ଧ୍ୟାନକୁ ମଧ୍ୟ ଅକ୍ଳେଶରେ ଭଙ୍ଗ କରିଦେବ । ଆରେ, ଭୂ-ମଣ୍ଡନା, ଏଇ ନବକିଶୋରଙ୍କ ବାଙ୍କ ଚାହାଣୀ କନ୍ଦର୍ପ - ଶରରୁ ମଧ୍ୟ ଆହୁରି ତୀକ୍ଷ୍‌ଣ । ସଖି ! ଥରେ ବିଚାର କହିଲୁ ଏହା ନିକଟରେ ଯୁବତୀର ଧୈର୍ଯ୍ୟ କି ଛାର । ୩।

ଆଠଗଡ଼ ରାଜା କହୁଚନ୍ତି, ଶ୍ରୀକୃଷ୍ଣଙ୍କର ଏ ରୂପ ଦେଖି ମନେହୁଏ ସତେ କଅଣ ଏହା ଶୃଙ୍ଗାର ରୂପକ ସୁଧା - ବର୍ଷନ୍ତ ମେଘ କି ? ଯେବେ କେହି ଯୁବତୀ ଦାସୀପଣରେ ସୁଦ୍ଧା ଏହାଙ୍କ ଭୁଜଙ୍ଗ - ବାହୁକୁ ତାର କଣ୍ଠଦେଶରେ ହାର କରିପାରନ୍ତା ଆଉ ଏହାଙ୍କର ପିକଦାନି ଧରା ଭୃତ୍ୟ ହୋଇପାରନ୍ତା, ତେବେ ସେ ଆପଣା ଜନ୍ମକୁ ସାର୍ଥକ ମନେକରନ୍ତା । ସତେ କ’ଣ ବିଧାତା, ଏ ମୋହନ ବିଗ୍ରହକୁ ପାଇବାଭଳି ଅନୁଗ୍ରହ କରିବେ ? ।୪।

 

କୁଳାଭୀରୀଧୈର୍ଯ୍ୟବ୍ୟୟକରଣ ଧୁର୍ଯସ୍ମିତଲୋବୋ

ଦଧନ୍ନୀପାଭ୍ୟାସେ ଭୁବନନୟନା ସେଚନକତାଂ ।

ହରିଃ ସାଽୟଂ କାଳାମ୍ବୁଦନିଭତମାଳାଗମରୁଚିଃ,

କୃତସ୍ଥୈର୍ଯ୍ୟନ୍ୟାସଂ ଗତନିମିଷୟା ସଂପିବ ଦୃଶା ।।

 

ଇତି ବିଜ୍ଞାପ୍ୟ ରାଧାଙ୍ଗସୌରଭଲଲବ୍‌ଧାନଙ୍ଗମଙ୍ଗଳ - ସଙ୍ଗୀତ ମଧୁ କରନିକରବିଜାତୀୟବିଳାସପୂର୍ଣ୍ଣନିକୁଞ୍ଜପୁଞ୍ଜ ଆତ୍ମାନଂ ହରେର୍ଲୋଚନ ଗୋଚରୀକୃତ୍ୟ କୁସୁମନିଚୟାବଚୟସମୁଦ୍ୟମାଭିନୟେନ ତତୋ ଲତିକାକାନ୍ତରଂ ପ୍ରତି ଚଳିତାୟାଂ ଲଳିତାୟାଂ -

 

ଅର୍ଥ :-

ଲଳିତା - କିଶୋରୀ ଲୋ,

ମଧୁ ମନ୍ଦ ହସି ଯେହୁ

ଗୋପକୁଳବାଳା ଧୈର୍ଯ୍ୟ,

ଅବହେଳେ କରିପାରେ ଲୋପ,

 

ନବ ନୀଳ ଘନରୁଚି -

ତମାଳ - ବରଣ ସେହି ଶ୍ୟାମ,

ବିଶ୍ୱଜନ ନୟନ - ରଞ୍ଜନ ଛବି ଧରି,

ବିଜେ ସଖି କେଳିକଦମ୍ବର ମୂଳେ,

 

ନୟନ ପୂରାଇ ଦେଖ ।

ଅପଲକ ନୟନେ ଗୋ,

ପାନ କର ରୂପ - ସୁଧା ଧନି !

କହି ଏତେ,

 

ଫୁଲ ତୋଳା ଛଳ କରି

ଚଳିଲେ ଲଳିତା ଆନ ଲତିକା ସମୀପେ ।

କୁଞ୍ଜେ ଏକା ରହିଲେ ଶ୍ରୀମତୀ ।

ଧନୀ ଅଙ୍ଗ - ସଉରଭେ

 

ଆକୃଷ୍ଟ ଭ୍ରମର କୁଳ

ଆରମ୍ଭିଲେ ତହୁଁ

ଏକାଳରେ ଦକ୍ଷିଣ ଅନିଳ

ପ୍ରସରିଲା ମନ୍ଦ ମନ୍ଦ କଦମ୍ବ କାନନେ ।

କାମ ସନ୍ଦୀପକ ସବିଳାସ ମଙ୍ଗଳ ସଂଗୀତ ।

 

‘ମ’

ଅନୁଚିନ୍ତା

ମହତ ବିଟାଳି ମକରନ୍ଦ କଣା ବାଣ୍ଟିଲା ଫୁଲ - ନାଗରୀ,

‘ମନ୍ଦ’ ‘ମନ୍ଦ’ ବୋଲି କୋଇଲି ଡାକୁଆ ତା’ ଦେଖି ପକାଏ ହୁରି ।

ମଧୁକର ମଧୁ-ଗୁଞ୍ଜରଣେ ପୁଣି ମାଧୁକରୀ ଆରମ୍ଭିଲା,

ମୋହିନୀ-ମୋହନ ମିଳନେ ମଙ୍ଗଳ ଶଙ୍ଖ ଧ୍ୱନି ଅବା କଲା !

 

- ଗୀତ -

ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ,

ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମା ରେ,

ମିଳିନ୍ଦ ଲତା ଦମ୍ଭବନିତା ବଦନେ ମିଶି ମାରେ,

ମଣ୍ଡିତହେଲା ସେ ବନସ୍ଥଳ,            ମହାରଜତ ମହେନ୍ଦ୍ର ନୀଳ -

ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ ।ପଦ।

 

ମିଶିଲା ଚାରିଲୋଚନ ବାରି -            ରୁହ ମଦନୁ ଲଭି ଲାଚାରି

ମିଳିଲା ଶ୍ୟାମ ଗଉର ଦୁଇ ମହ,

ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,

ମାନସ ଅଙ୍ଗଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ ;

ମଉଳିଗଲା ଶେଷ ସାତ୍ତ୍ୱିତ             ମୃଡ଼ନୟନ ସଂଖ୍ୟକଯାକ

ମଜ୍ଜାଇ ଦେଲା ଦୁହିଙ୍କ ମନ ମହାମୋଦପ୍ରବାହ ।୧।

 

ମଦଦ୍ୱିରଦ-ମଥିତହ୍ରଦ, ମୂର୍ଚ୍ଛିତ ମହୋତ୍ପଳ ଆମୋଦ,

ଫୁଲ୍ଲପରାଗ ଶ୍ରୀଅଙ୍ଗରାଗ ବାସ,

ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ,

ମଧୁମାଦକ- ଗୁଣ - ସୂଚକ କୋକିଳ କଳଘୋଷ,

ମଣି ମଣ୍ଡିତ କିଙ୍କିଣୀଯୁତ            ମଞ୍ଜୁ ମଞ୍ଜୀର ଭୂଷାଶିଞ୍ଜିତ

ରସନା ରଣତ୍କାର ଶ୍ରବଣ କଲା ବିବେକ ମୋକ୍ଷ ।୨।

 

ମଧୁ ମଧୁର ବଧୂ ଅଧର କିଶୋରବର ରଦନାମ୍ବର,

ବିମ୍ବ ଚୁମ୍ବନ ଚୁଂକୃତି ସ୍ୱନମେଳା,

ମୃଦୁ ମନ୍ମନ ଧ୍ୱନି ଜନନ କଲାଟି କ୍ରୋଡ଼ଖେଳା,

ମହେନ୍ଦ୍ର ମଣି, ବଳୟ ଶ୍ରେଣୀ ରଟିଲା ହୋଇ ଲୋଳା,

ମନୋଜ୍ଞ ଚାଟୁ ପୀୟୂଷମୟ,            ମିଶ୍ରିତ ହେଉ ହେଉ ସମୟ

ମାର ମହତ୍ତ୍ୱ ଗଲା କି ନାହିଁ ହେଲା ସଂଶୟଦୋଳା ।୩।

 

ମନ୍ଦାର ବନ ସେ ବନ ରସା-            ଚକ୍ରେ ରଚିଲା ସୂନ ବରଷା

ରସିଲେ ସର୍ବ ଗନ୍ଧର୍ବମାନେ ଗାନେ;

ମାତି ତାଣ୍ଡବ ରଚିଲେ ଦେବଦାସୀଏ ସାବଧାନେ,

ମର୍ଦ୍ଦଳ ଘୋଷ ହେଲା ତ୍ରିଦଶ ମଣ୍ଡଳେ ସବୁସ୍ଥାନେ,

ମୁକୁତ ପ୍ରାୟ ହେଲା ତ୍ରିଲୋକ-      ମାନସୁ ମ୍ଳାନ କଲେ ପାତକ

ଶ୍ରୀ ଜଗଦ୍ଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ ।୪।

( ରାଗ - ମାରୁଆ । ତାଳ - ତ୍ରିପଟା । )

 

- ଗୀତକଥା -

ବସନ୍ତ ସମାଗମ ହେଲା-

କଦମ୍ବବନ ସୀମାରେ ଧୀରେ ଧୀରେ ମଳୟ ବହିଲା । ଫୁଲରୁ ମକରନ୍ଦ ଝରିବାର ଦେଖି, ଲୋକେ କାମ ବିଭୋରହୋଇ ଚମକି ‘ଇଷି ଇଷି’ କହିଲେ । ଭ୍ରମରମାନେ ଗର୍ବିତା ନାଗରୀ ରୂପିଣୀ ଲତିକାର ମୁଖରେ ମିଶିଗଲେ । ଶ୍ରୀମତୀଙ୍କର ସୁନାଶିରୀ ଓ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରନୀଳମଣି ତେଜର ସଞ୍ଚାର ଜନିତ ସୁଷମା ବନସ୍ଥଳରେ କଳିକା ମଣ୍ଡିଦେଲା ପରି ଶୋଭା ପାଇଲା । ଘୋଷା ।

୧- କନ୍ଦର୍ପପୀଡ଼ାରେ ନାଚାର ହୋଇ ଶ୍ୟାମ ଓ ଶ୍ରୀମତୀଙ୍କର ଚାରି ଗୋଟି ନୟନ କମଳ ଏକତ୍ର ହେଲା । ଶ୍ୟାମ ଓ ଗୌର ଦୁଇଟି ତେଜ ଏକାଠି ମିଶିଗଲା । ସତେ ଅବା ଯୁବକ ଭ୍ରମର ନବୀନା କମଳିନୀର ସଙ୍ଗଲାଭ କଲା । ସ୍ନେହ ବଳି ପଡ଼ିବାରୁ ମନ ଓ ଦେହ ଦୁହେଁ ଅଭିନ୍ନ ହୋଇ ଆପଣା ଆପଣା ପାର୍ଥକ୍ୟ ପାଶୋରି ଦେଲେ । ସାତ୍ତ୍ୱିକ ଭାବର ଶେଷ ତିନିଗୋଟି ବିଭାଗ ଅର୍ଥାତ ବିବର୍ଣ୍ଣତା, ଅଶ୍ରୁ ଓ ମୂର୍ଚ୍ଛା - ଏ ତିନିହେଁଯାକ ମଳିନ ହୋଇଗଲେ । ବାକି ପ୍ରଥମ ପାଞ୍ଚଗୋଟି ଅର୍ଥାତ୍‌ ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ ଓ କମ୍ପନ ପ୍ରବଳ ହୋଇ ଉଠିଲା । ଦୁହିଁଙ୍କ ମନ ମହାଆନନ୍ଦ ପ୍ରବାହରେ ଆନ୍ଦୋଳିତ ହୋଇ ଉଠିଲା ।

୨- ମତ୍ତହସ୍ତୀ ଦଳି ଦେଇଥିବା ହ୍ରଦରେ ଫୁଟିଲା ପଦ୍ମର ପରାଗ ସୁବାସ ସହିତ ମିଶି ଚଉଦିଗରେ ବିଛାଡ଼ି ହୋଇ ପଡ଼ିଥିବା ପରି ଶ୍ରୀକୃଷ୍ଣ ଓ ଶ୍ରୀମତୀଙ୍କର ପ୍ରେମ-ମିଳନ କାଳର ଅଙ୍ଗ ସୌରଭ ଚତୁର୍ଦ୍ଦିଗରେ ଚହଟିଗଲା । ଏତିକିବେଳେ ଚୂନପରି ଧଳା ଚନ୍ଦ୍ରକିରଣ ପ୍ରକଟି ଉଠିଲା ! କୋଇଲି କୁହୁକୁହୁ ଡାକି ବସନ୍ତର ମାଦକତା ପ୍ରକାଶ କଲା । ମଣି ମଣ୍ଡିତ କିଙ୍କିଣୀର ନାଦ ନୂପୁର ଧ୍ୱନି ସହିତ ମିଶି ମଧୁର ସ୍ୱର ସୃଷ୍ଟିକଲା । ତହିଁ ସହିତ ଚନ୍ଦ୍ରହାରର ରଣଝଣ ଶବ୍ଦ ବିବେକକୁ ଲୋପ କରିଦେଲା ।

୩ - ଶ୍ରୀମତୀଙ୍କର ମଧୁରାଧର ଶ୍ରୀକୃଷ୍ଣଙ୍କ ଅଧର ସହିତ ମିଶି ଏକତ୍ର ଚୁମ୍ବନ ଶବ୍ଦ ସୃଷ୍ଟିକଲା । ଶ୍ରୀକୃଷ୍ଣଙ୍କ କ୍ରୋଡ଼ରେ ଶ୍ରୀମତୀଙ୍କର କ୍ରୀଡ଼ା କାଳରେ ଇନ୍ଦ୍ରନୀଳମଣି ନିର୍ମିତ ବଳୟମାନ ଇତସ୍ତତ ହୋଇଗଲା । ତହିଁରୁ ଅବ୍ୟକ୍ତ ମଧୁର ଧ୍ୱନି ଜାତ ହେଲା । ଦୁହିଁଙ୍କର ମନୋହର ଚାଟୁବାକ୍ୟ ଏକତ୍ର ମିଶିଗଲାବେଳେ କନ୍ଦର୍ପର ମହତ୍ୱ ଆଉ ରହିଲା କି ନାହିଁ ବୋଲି ମନରେ ସନ୍ଦେହ ଆସିଲା ।

୪ - ଏତିକିବେଳେ ସେଇ ବନରେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟିହେଲା । ଗନ୍ଧର୍ବମାନେ ସଙ୍ଗୀତ ଆରମ୍ଭ କଲେ, ଦେବଦାସୀମାନେ ସଂଯତ ହୋଇ ନୃତ୍ୟକଲେ । ଚାରିଆଡ଼େ ମର୍ଦ୍ଦଳ ଧ୍ୱନିତ ହେଲା । ତିନି ଲୋକ ( ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ)ର ଲୋକେ ପ୍ରକୃତି ଏବଂ ପୁରୁଷଙ୍କର ମିଳନରେ ପାପମୁକ୍ତ ହେଲେ । ସେହି ମହୋତ୍ସବ ଧ୍ୟାନ କରି ରାଜା ଜଗଦ୍ଦେବ ହରିଚନ୍ଦନଙ୍କ ମନରୁ ପାପ କ୍ରମଶଃ ଦୂରୀଭୂତ ହେଲା ।

 

ଶ୍ଳୋକାଂଶ

ପ୍ରପଞ୍ଚିକାନ୍ଧତମସାନ୍ଧୁ ପିଚିଣ୍ଡପାତାତ୍

ପ୍ରାୟଃ ସମାକୁଳବିବେକଦୃଶାଂ ଜନନାଂ ।

ଚାମୀକରପ୍ରକରପୀତମୟୂଖଲେଖା,

ନୀଳୋପଳାଂଶୁମୟମସ୍ତ୍ୱବନାୟ ତେଜଃ ।

 

ଶିଶୁପଭୁକ୍ତକ୍ଷିପ୍ତାଂ ମାଳାମିବ, ଶାଣୋଲ୍ଲୀଢ଼ାଂ ମଣିମିବ, ତମସାଗ୍ରସ୍ତ ଗଳିତାଂ ଚନ୍ଦ୍ରିକାମିବ; ଗଜେନ୍ଦ୍ରକଳିତୋଜ୍‌ଝିତାଂ ସରୋଜିନୀମିବ, ମୃଗନ୍ଦ୍ରେଗୃହୀତମୁକ୍ତାଂ ମୃଗୀମିବାନଙ୍ଗସଙ୍ଗରରଙ୍ଗମଙ୍ଗଳମହୋତ୍ସବାତିଶୟାୟସ୍ତା ଭୂୟସ୍ତାମଙ୍କମାରୋପ୍ୟ କୃଷ୍ଣଃ ।

 

ଅର୍ଥ:-

ସ୍ୱର୍ଣ୍ଣପ୍ରଭା କିଶୋରୀ କିରଣମାଳା,

ପୁଣି,

ନୀଳ କମଳ-ନନ୍ଦିତ

ଶ୍ୟାମ ଅଙ୍ଗତେଜ,

ମୋହାନ୍ଧ-କୂପରୁ

 

ରକ୍ଷାକରୁ ସଂସାରୀ ଜନରେ;-

ଯାହାଙ୍କ ବିବେକ ଦୃଷ୍ଟି

ଘନାବୃତ ଘୋର ଅନ୍ଧକାରେ ।

ବାଳକର-

କଣ୍ଠଘେନା ପରେ ଫୁଲମାଳ ଫିଙ୍ଗାପରି,

 

ଶାଣଘଷା ମଣି ସରି ଅବା,

ରାହୁମୁକ୍ତ ଚନ୍ଦ୍ରମା ଯେସନ,

କିବା, ମଦମତ୍ତକାରୀ-ଦଳା

ପଦ୍ମବନେ ଉପେକ୍ଷିତ

 

ପଦ୍ମନାଳ ସରି,

ଅଥବା ହରିଣୀ ସମ;-

ଉଧୁରି ଯେ ଆସିଅଛି ସିଂହର କବଳୁ;

ସେହି ମତି ସେହିମତି ରତି-ପ୍ରାନ୍ତେ

ଶ୍ରାନ୍ତା କିଶୋରୀରେ

ଅଙ୍କରେ ବସାଇ ଶ୍ୟାମ

ସମ୍ଭାଷିଲେ ମଧୁ:-

 

‘ଯ’

ଅନୁଚିନ୍ତା

ଯାମିନୀ ମାତର ପରମାୟୁ ତାର କେତେ କାଳ ଅବା ସତେ,

ଯାବତ କାଳର ଯତନ ସାଇତା ଭାବ କି ସରିବ ଯେତେ ?

ଯୋଗାଇ କିଶୋରୀ ମାନସ କିଶୋର ବିଶୋରି ଆପଣା ପଣ,

ଯଉବନ ଯାର ଚରଣେ ଶରଣ ବଖାଣିଲେ ତାର ଗୁଣ:-

 

-ଗୀତ-

ଯୋଷାବର ରେ, ଯଥାର୍ଥରେ ଜାଣୁ ମୁଁ ତୋହର ରେ,

ଯାମଳଭୂଧରନିଭପୟୋଧର ମରଦନିଆ ଚାକର ରେ ।ପଦ।

ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖରରେ,

ଯତୀନ୍ଦ ସମାଧି-ଖଣ୍ଡନ ତୁ ନିଧି, ମୁଁ ରଙ୍କମାନଙ୍କ ବର ରେ ।୧।

 

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହିଁ ! ମୋ ମହାଶୁଭ ଦଶାର ରେ ।

ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଲୁ ସୁସାରରେ ।୨।

ଯୁବତୀ କଦମ୍ବରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ,

ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ଏବେ ପଞ୍ଚଶର ରେ ।୩।

 

ଯମୁନାବାହନୀ ତଟରୁହବନୀ ଅବନୀ ବନାଇବାର ରେ ।

ଯଶ ରଖି ନିନ୍ଦା ପଟଳୀରୁ ବୃନ୍ଦା କରାଇଲା ତ ନିବାର ରେ ।୪।

ଯଶୋଦାକୁମର ଗିରେ ରାଧା ଶିର ନୁଆଁଇଲେ ଲଜ୍ଜାଭର ରେ ।

ଯୁଗଳ ବିଗ୍ରହ କରି ଅନୁଗ୍ରହ ଅଷ୍ଟଦୁର୍ଗ ପୁରନ୍ଦର ରେ ।।

(ରାଗ ମୁଖାରୀ । ତାଳ ଆଠତାଳି ।)

 

-ଗୀତକଥା-

ନାଗରୀ-ମଣ୍ଡନା ! ‘ମୁଁ ତୋହରି’ ଏକଥା ନିଶ୍ଚିତ କରି ଜାଣ । ଯାଉଁଳି ପର୍ବତ ପରି ଦେଖାଯାଉଥିବା ତୋର ଉଚ୍ଚ କୁଚ ଯୁଗଳର ମର୍ଦ୍ଦନକାରୀ ଚାକର ବୋଲି ମୋତେ ଘେନାକର । ଘୋଷା ।

୧- ଆରେ ମତ୍ତଗଜ ଗମନା, ତୋ ପାଦତଳର ଅଳତା ମୋ ମଥାର ଭୂଷଣ ପରି । ଯୋଗୀ-ଯୋଗ-ଭଙ୍ଗିନୀ ! ତୁ ଅମୂଲ୍ୟ ନିଧି, ମୁଁ ଅତିଦରିଦ୍ର ଅଟେ ।।

 

୨- ରେ ଚନ୍ଦ୍ରବଦନା, ତୁ ମୋ ମହା ଶୁଭଦଶାର ପୁନରାଗମନ କି ? ଅଥବା ହାତରେ ମୋର ଅତି ଯତ୍ନରେ ସାଇତା ଅମୂଲ୍ୟ ମଣି ମୋତେ ଦେଇପକାଇଲୁ କି ? ।।

୩- ଆରେ ନାଗରୀରାଜା ! ମୁଁ ତୋର ଆଶ୍ରୟ ପାଇପାରିଲି- ଏତକ ଜାଣିପାରି ମୁଁ କନ୍ଦର୍ପ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ଏଣିକି ସେ ଲୁହାର ସାଞ୍ଜୁ ପିନ୍ଧି ଆସିଲେ ମଧ୍ୟ ମୁଁ ତାଙ୍କୁ ଖାତିର କରୁନାହିଁ ।।

 

୪- ସହଚରୀ ବୃନ୍ଦା ଯମୁନା କୂଳର ଏହି ବନକୁ ଲୀଳାସ୍ଥଳିରେ ପରିଣତ କରାଇ ନିନ୍ଦାକୁ ଏଡ଼ାଇ ସତରେ ଏକା ଯଶ ରଖିଦେଲା ।

୫- ରସରାଜ ଶ୍ରୀକୃଷ୍ଣଙ୍କର ଏହିପରି କଥାରେ କିଶୋରୀ ରାଧା, ଲାଜରେ ମଥା ନୁଆଁଇ ଦେଲେ ।

ରାଧାକୃଷ୍ଣ ଯୁଗଳ ଆଠଗଡ଼ର ରାଜାଙ୍କୁ ଅନୁଗ୍ରହ କରନ୍ତୁ ।

 

ଶ୍ଳୋକାଂଶ

ଅଦ୍ୟପ୍ରଭୃତ୍ୟନଳସେନ୍ଦୁ ସହୋଦରାସ୍ୟେ,

ଦାସ୍ୟେ ତବାସ୍ମ୍ୟହମହର୍ନିଶମେବ ଯୁକ୍ତଃ ।

ଆଗୋ ଲତା ନ ଗଣୟତ୍ୟକୃଶଂ ଯଥାଳେ-

ର୍ବାଳେ ମମ ତ୍ୱମପି ତତ୍ ସତତଂ କ୍ଷମସ୍ୱ ।।

 

ଇତ୍‌ଥଂ ପ୍ରତ୍ୟଙ୍ଗଚୁମ୍ବୋଚ୍ଚୟଚର୍ଚ୍ଚୋଚ୍ଚରିତଚୁମୁତ୍‌କାରଚମତ୍କରଣୈ ସ ଚଟୁଳଚାଟୁକ୍ତିମାଟୋପପୁଟିତୈର୍ମୃଦୁଭିର୍ବଚନୈଶ୍ଚେଳାଞ୍ଚଳବ୍ୟଳନବୀଜନୈଶ୍ଚାସନ୍ନାବସାନାୟାଂ କ୍ଷଣଦାୟାଂ ମଞ୍ଜୁଳକେଳିମଞ୍ଜରୀ ନିଳୟଦ୍ୱାରି ନିଲୀୟ କାଚିତ ବ୍ରଜଦେବୀ ।

 

ଅର୍ଥ:-

ଶ୍ରୀକୃଷ୍ଣ- ପୂର୍ଣ୍ଣଚନ୍ଦ୍ର ମୁଖୀ ରେ ସୁନ୍ଦରି,

ଆଜିଠାରୁ ଘେନ ମୋତେ

କୋୟର ମୁଁ ତୋର ନିଶିଦିନ ।

ଲତା ଯଥା ଅପରାଧ ନ ଘେନଇଁ

 

ମଧୁଲିଟ ବିଧୁର-ଚୁମ୍ବନେ,

ନବୀନା କିଶୋରୀ !

ସେହିମତି-

ସେହି ମତି କ୍ଷମିବୁ ଲୋ, ଅପରାଧ ମୋର ।

 

ଚୁମ୍ବନର ଚୁଁ କାର ଶବଦେ ମୋହନର ।

ଜାତହେଲା ଆନନ୍ଦ ଅପାର ।

କହୁ କହୁ ଚାଟୁ କଥାମାନ,

ପଣନ୍ତରେ ଦେଉ ଦେଉ ବିଞ୍ଚି,

ପ୍ରଭାତିଲା ସୁଖ ନିଶି ।

 

ଏହି କାଳେ

ମଞ୍ଜୁ କେଳିକୁଞ୍ଜ ଦ୍ୱାରପଟେ

ଆଡ଼େ ଆଡ଼େ ରହି କେହି

ବରଜ ଲଳନା

ଚେତି ଦେଲା ଚତୁରୀ ରାଇରେ;

 

‘ର’

ଅନୁଚିନ୍ତା

ରଟିଲା କଜଳପାତିଆ ରୋଷେ କି ରଜନୀରେ କରି ନାଶ

ରସିକା ବିରଷେ, ସୁଖ ନିଶି ଶେଷେ ସଜାଡ଼ିଲା ବେଶ ବାସ,

ରହି କୁଞ୍ଜଦ୍ୱାରେ ସଜନୀ ଚେତାଏ ଏ କି ଲାଜ କଥା ସତେ ?

ରାତି ସାରା ମାତି ସୁରତେ, ନିଅଣ୍ଟ ହେଲା କି ଗୋ, କାଳ ତୋତେ !

 

-ଗୀତ-

ରସାଳସା ରେ । ରସି ପୁଣି ଏ କି ଲୋକହସା ରେ ।ପଦ।

ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ,

ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ ।୧।

ରତିନାଥ ସମର ପ୍ରଶଂସାରେ,

ରମଣୀ କେ ନ ରସନ୍ତି ସଂସାରେ ।୨।

 

ରସନ୍ତି ରସିକେ ସିନା ନିଶାରେ,

ରଜନୀ ଶେଷରେ ଏ କି ଦଶାରେ ।୩।

ରମଣୀୟ ହେମକୁ ସୁଦୃଶା ରେ,

ରଖିଲୁ କେଡ଼େ ନିବିଡ଼େ ମସାରେ ।୪।

 

ରହୁ ନା ଅଯଶ ଆଉ ରସାରେ,

ରସାରୁହରୁ ଲତାକୁ ଖସା ରେ ।୫।

ରାଜା ଅଷ୍ଟଦୁର୍ଗର ଏ ଭାଷାରେ,

ରଚେ ଏବେ ବିଜେ ହେଉ ସୁସାରେ ।

(ରାଗ-ଆଶାବରୀ । ତାଳ-ଆଠତାଳି ।)

 

-ଗୀତକଥା-

ରସାଳସା, ଏ କେମିତି କଥା ? ରସରେ ମାତି, ପୁଣି ଏମିତି ଲୋକହସା ହେବାଟା କ’ଣ ସୁନ୍ଦର ହେଉଚି ?

୧ । ପୂର୍ବମେଘରେ ସିନ୍ଦୂରା ଫାଟି ଆସିଲାଣି, ପୋଖରୀରେ ପଦ୍ମ ଫୁଟିଲାଣି ।

୨ । ସଂସାରରେ ଏଭଳି କେଉଁ ରମଣୀ ଅଛି, ଯେ କି ରତିକ୍ରୀଡ଼ାରେ ବିଜୟିନୀ ହୋଇ କାମଦେବଙ୍କୁ ପ୍ରଶଂସା ନକରେ ?

୩ । ହେଲେ, ରାତିରେ ସିନା ରସିକମାନେ ରସରେ ମାତନ୍ତି, ରାତି ପାହାନ୍ତାରେ ପୁଣି ଏ କି ଦଶା ? ସକାଳ ହେଲା, ଏବେ ସୁଦ୍ଧା ତୋ ରଙ୍ଗରସ ତୁଟୁନାହିଁ ?

୪ । ଚାରୁନେତ୍ରା ! ସୁନା ଭିତରେ ସିନା ଇନ୍ଦ୍ରନୀଳମଣି ବସେ, ତୁ ତୋ ସୁନା ଦେହକୁ ନେଇ ନୀଳମଣି ଶ୍ରୀକୃଷ୍ଣଙ୍କ ମଧ୍ୟରେ ଟାଣିକରି ବସାଇ ଦେଲୁ, କେମିତି ଭଲା ?

୫ । ଜଗତରେ ଅପବାଦ ରଟାନା ଆଉ, ତୋ ଅଙ୍ଗଲତାକୁ ଶ୍ରୀକୃଷ୍ଣ ରୂପୀ ତରୁରୁ ଏବେ ଖସାଇ ଦେ ।

୬ । ଆଠଗଡ଼ର ରଜା କହୁଛନ୍ତି:- ଏଥର ତୁନି ହୋଇ ଭଲେ ଭଲେ ଚାଲିଆ ।

 

ଶ୍ଳୋକାଂଶ

ଅନାଦୃତ୍ୟାଳୀନାଂ ପ୍ରିୟବଚନମାଳାମକଠିନାମ୍,

ହଠାତ୍ ପ୍ରେୟଃଶ୍ରଦ୍ଧାର୍ଗଳନିବିଡ଼ରୁଦ୍ଧାସି ସଖି ଚେତ୍ ।

ଇଦାନୀମପ୍ୟାତ୍ମ ବନମବନିଭୂଷାଙ୍ଘ୍ରିଂ ସୁଷମେ,

ଯଥାଭୂୟାଦ୍ ଯତ୍ନାନ୍ କୁରୁ କୃଶସପତ୍ନାସ୍ୟହସିତମ୍ ।।

 

ତତସ୍ତଦାକର୍ଣ୍ଣ୍ୟ କର୍ଣ୍ଣାଭ୍ୟର୍ଣ୍ଣଚୁମ୍ଭି ତୂର୍ଣ୍ଣକ୍ରୀଡ଼ଲ୍ଲୋଳ ଲୋଚନାଂ ଦାହୋତ୍ତୀର୍ଣ୍ଣସ୍ୱର୍ଣ୍ଣସାବର୍ଣ୍ଣ୍ୟପୂର୍ଣ୍ଣବର୍ଣ୍ଣା ଶୀର୍ଣ୍ଣନିଧୂବନୋତ୍ସାହାତିରେକା ସା ପ୍ରକୀର୍ଣ୍ଣମାଲ୍ୟମୁତ୍‌ଥାୟ ସତ୍ରାସତ୍ରପଂ କିଶୋରେଶ୍ୱରଂ ପ୍ରତି:-

 

ଅର୍ଥ:-

ସଖୀ- ସଜନୀ ଲୋ,

ନ ଘେନି ତୁ ସହଚରୀଜନ ହିତ କଥା,

ଦେଇ ସାରିଛୁ ଲୋ, ଯେବେ ଧରା ପ୍ରିୟ-ପାଶେ;

ଏବେ ହେଲେ ଉଧୁରିବା ଉପାୟ ତୁ କର ।

 

ରଖ ତୁ ଆପଣା ମାନ ।

ନହୁଅ ଭଗାରି-ହସା ।

ଶୁଣି ସଖୀ ମୁଖୁଁ

ଏତେ ସାବଧାନୀ ବାଣୀ,

 

ତପତ ହେମବରନା, ଆୟତ୍ତ ଲୋଚନା

ରତିରଙ୍ଗ-ଅଳସୀ କିଶୋରୀ,

ଫିଙ୍ଗି ବେଗେ କୁସୁମର ହାର ଯହିଁ ତହିଁ,

ଲାଜେ ଲାଜେ; ଡରେ ଡରେ

ତେଜି ନଟବର ଅଙ୍କ,

କହିଲେ ବିନୟୀ :-

 

‘ଳ’

ଅନୁଚିନ୍ତା

ଲଳନା ଲଳାମହୀରା ନୋଇଁ ଗଭା ଜଣାକଲେ ଯୋଡ଼ି କର-

ଲଳିତା ବଚନ ଶୁଣିଲ ତ ବେଗେ ପୁରେ ଭଲା ବିଜେକର ।

ଲବେ ହେଲେ ଦୟା ନାହିଁକି ? ଆହୁରି ଲୋକେ ହେଲେ ଜଣାଜଣି

ଲାଜେ ଏ ବରଜେ ପଥ ମୁଁ ଚାଲିବି, କି କରି ମୁରଲୀ-ପାଣି ?

 

-ଗୀତ-

ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସଢ଼ି

ଲୁଚାଇଛ କାହିଁ ଶ୍ୟାମ ହେ, ଦିଅ ମୋ-ଲାଗି ଶାଢ଼ୀ ।ପଦ।

 

ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି,

ଲୋକହସାରେ ଯେବେ ଯିବି ସରି,

ଲସିବି ଯେବେ ପାଇ ନିନ୍ଦାଦାଉ,

ଲାଗିଲି ଆପଣଙ୍କୁ କେହି ଆଉ ।୧।

 

ଲକ୍ଷ ଲକ୍ଷ ରାଣ ଅଛିଟି ମୋର,

ଲଲାମ ଆଦି ଭୂଷା ସଜ କର,

ଲିଭିଥିବ ଭୂରୁ-ମଧ୍ୟ ତିଳକ,

ଲେଖିଦିଅ ବେଗେ ନ ଦେଖୁ ଲୋକ ।୨।

 

ଲୋଭୀ, ଶ୍ରୀଭୁଜବନ୍ଧ ଶିଥିଳାଅ,

ଲତା ଗହଳେ ଗହନେ ପଳାଅ,

ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ,

ଲାଜ-କଥା ଲୋକେ ଦେଖିଲେ ଦାଣ୍ଡେ ।୩।

 

ଲଗାଇଛ ହଟ ଯେଉଁ ରସରେ,

ଲୁଟିବ ସିନା କାଲି ପ୍ରଦୋଷରେ,

ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ,

ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪।

 

ଲଳିତା ନୁହେଟି ଯେ ଡାକୁଅଛି,

ଲକ୍ଷ ଦୁଷ୍ଟରେ ମୁଁ ରଖିଛି ବାଛି

ଲଘୁ କରିଦେବ ଦେଖିଲା କ୍ଷଣେ ।

ଲେଖାଧିପ ଅଷ୍ଟଦୁର୍ଗର ଭଣେ ।୫।

(ରାଗ-ଲଳିତ । ତାଳ-ଝୁଲା)

 

-ଗୀତକଥା-

ଶ୍ୟାମ, ପିନ୍ଧାଶାଢ଼ୀ ମୋର କୋଉଠି ଲୁଚାଇଚ, ଦିଅ । ମୁଁ ଲାଜରେ ସଢ଼ି ଗଲି ହେ ଲୀଳାନିଧି !

୧। କହିଲ ଭଲା, ତୁମକୁ ପ୍ରାଣପ୍ରିୟ ରୂପେ ପାଇ ମୁଁ ଯେବେ ଲୋକହସାରେ ସରିଯିବି, ଲୋକନିନ୍ଦା ଶୁଣିବି, ତେବେ ଆଉ ତୁମେ ମୋଠାରେ କି ସ୍ନେହ ରଖିଲ ?

୨। ଲକ୍ଷେ ଲକ୍ଷେ ରାଣ ଅଛି ମୋର, ଦେଖ, ମୋର ମଥାଭୂଷଣ ସବୁ ଏଣେତେଣେ ପଡ଼ିଛି, ଟିକିଏ ସଜକରି ଦିଅ ମୋତେ; ଭ୍ରୂଲତା ମଝିର ତିଳକ ଟିକା ଲିଭିଯାଇଛି । ଦାଣ୍ଡଲୋକେ ଦେଖିଲେ ହସିବେ ସିନା ! ତା ଆଗରୁ ତୁମେ ତାକୁ ଚିତ୍ର କରିଦିଅ ।

୩ । ବଡ଼ ଲୋଭୀ ହେଲଣି ତୁମେ ଶ୍ୟାମ ! ବାହୁପାଶ ଟିକିଏ ହୁଗୁଳାଇ ଦିଅ । ଛାଡ଼ ମୋତେ ବନ୍ଧୁ ! ଆଲିଙ୍ଗନରୁ ମୁକ୍ତିଦେଇ ତୁମେ ଲତା ଗହଳି ଭିତରେ ଲୁଚିକରି ପଳାଅ । ମୟୂର ମୁକୁଟରେ ଅଳତା ଲାଗିଛି, ଲୋକେ ଦେଖିଲେ ହସିବେ । ଛି ଛି, କି ଲାଜକଥା ୟେ !

୪। ଦିଅ, ମୋ ଶାଢ଼ୀ ଏବେ ଦେଇପକାଅ । ରସିଆ ! ମୁଁ ବୁଝିଲି ତୁମ ହଟ କୌତୁକ । କାଲି ସଞ୍ଜବେଳେ ତୁମେ ପୁଣି ରସରେ ମାତିବ । ଆଶ୍ରିତ ଲୋକକୁ ଲଙ୍ଘି ଏତେ ହରବର କରୁଛ ! କାଲି ସଞ୍ଜକୁ କଣ୍ଟ ଦେଲି ପରା ? କରୁଣାସିନ୍ଧୁ ବୋଲାଇ ଏଡ଼େ ଲାଞ୍ଚୁଆ ହେଲ ତୁମେ ଶ୍ୟାମ !

୫ । ଜାଣିଛନା, ଲତାଦୁଆରେ ଡାକୁଥିବା ଲୋକଟି ‘ଲଳିତା’ ନୁହେ ଯେ; ଲକ୍ଷେ ଦୁଷ୍ଟଙ୍କ ଭିତରୁ ସେ ଜଣେ । ମୁଁ ତାକୁ ଭଲକରି ଚିହ୍ନିଛି । ସେ ଦେଖିଲା ମାତ୍ରକେ ମୋତେ ନାନା ଅପମାନ ଦେବ । ଆଠଗଡ଼ ରାଜା ଏହା ଗୀତରେ କହିଲେ ।

 

ଶ୍ଳୋକାଂଶ

ଲମ୍ବମମ୍ବରମାରକ୍ତଂ ପ୍ରାଚୀ ପ୍ରାଚୀକଟତ୍ କଟୌ,

ବାଳାହୃଦୟପଞ୍ଚେଷେ ମୁଞ୍ଚ ମତ୍‌କଞ୍ଚୁକାଞ୍ଚଳଂ ।

 

ଅମନ୍ଦାନନ୍ଦପୀୟୂଷନିସ୍ୟନ୍ଦସନ୍ଦୋହତୁନ୍ଦିଳସ୍ୟନ୍ଦନପଦଦମ୍ପତି-

ନିନଦୈର୍ନିଶାଚରମଦଶ ସ୍ମାରକବନେଚରଚରଣାୟୁଧଧ୍ୱନିଭିର୍ଯମୁନା-
ବାଃପୁରବିକଚାରବିନ୍ଦବୃନ୍ଦତୁନ୍ଦମରନ୍ଦପାନପ୍ରମୁଦିତାଳିପାଳିପ୍ରଣୀତ-

ଝଙ୍କାରୈର୍ନନ୍ଦମନ୍ଦିରଗୋପୁରାବଲମ୍ବବନ୍ଦିନିକୁରମ୍ବସ୍ତବପାଠପାଟବୈର୍ବା-

ହିନ୍ୟବଗାହାଗତଗୋପୀଜନାଭରଣରଣତକରଣୈଃ ପରିରଭ୍ୟମାଣ-

ପ୍ରାଭାତିକଡିମଣ୍ଡିମରବାଡ଼ମ୍ବରୈଃସଂବୃତେଽପ୍ୟମ୍ବରତଳେ ଶନୈର୍ନିକୁ-

ଞ୍ଜାନ୍ମିଷ୍‌କ୍ରାନ୍ତାଂ କାନ୍ତାଂ ପ୍ରତି ସଖୀଃ :-

 

ଅର୍ଥ:-

ଶ୍ରୀମତୀ- ତେଜ ମୋ ପଣନ୍ତ ଘନଶ୍ୟାମ !

କାମିନୀ ମନ-ମୋହନ !

ଦେଖ. ଦେଖ,

ପୂର୍ବାଶା ନାୟିକା ଏବେ

 

ରଙ୍ଗବାସେ ଦେଲାଣି ଘୋଡ଼ାଇ କଟିତଟ ।

ଉଦିଲେଣି ତରୁଣ ଅରୁଣ ।

ଶୁଣ, ଶୁଣ ପ୍ରିୟତମ !

ନିଶି ଅବସାନେ, ସୁଖ-ମିଳନ ଆଶାୟୀ

 

ଚକ୍ରବାକ ଦମ୍ପତିର ଆହ୍ଲାଦ ନିଃସ୍ୱନ,

ତାମ୍ରଚୂଡ଼ କଣ୍ଠେ ଶୁଭେ

ପ୍ରଭାତର ମଧୁ ଆଗମନୀ ।

ଯମୁନାର ନୀଳ ଜଳେ-

ବିକଶିତ ପଦ୍ମ-ମଧୁ ଆଶେ,

 

ମଧୁକରେ ଆରମ୍ଭିଲେ ଗୁଞ୍ଜନ ଝଙ୍କାର ।

ନନ୍ଦରାଜ ନବର ତୋରଣେ

ସ୍ତବଗାନ କରିଲେଣି ଭାଟେ ।

ପ୍ରଭାତୀ ଡିଣ୍ଡିମ ତୁଲେ ଯାଏ ମିଶି

 

ଯମୁନାରେ ସ୍ନାନାର୍ଥିନୀ-

ଗୋପବାଳା ପରିହିତ

ଚରଣର ନୁପୃର ନିନାଦ ।

ବିବିଧ ଶବଦେ ଯହୁଁ ଭରିଲା ଆକାଶ;

 

ଚେତି ତହୁଁ ବିନୋଦିନୀ ରାଇ,

ତେଜିଲେ ସଧିରେ କୁଞ୍ଜ

ନିରେଖି ଧନୀରେ,

ପରିହାସେ ପଚାରିଲେ ସଖୀ:-

 

‘ବ’

ଅନୁଚିନ୍ତା

ବାସି ଫୁଲ ସରି, ମଉଳିଛି ଶିରୀ, ବାହାର କୁଞ୍ଜରୁ ରାଈ

ବାରି ହୋଇଗଲେ, ଘେରି ସହଚରୀ, ପଚାରିଲେ କି ଗୋ ସହି !

ବେଶ ତ ମଳିନ, ବାସ ଅଯତନ, ବଶରେ ନଥିଲୁ ପରା

ବିଶେଷ ଲକ୍ଷଣ. ଦିଶେ ଆନଆନ, ଏକି ରୀତି ଚମ୍ପାଝରା ?

 

-ଗୀତ-

ବିଚିତ୍ର ବେଶ ମଞ୍ଜୁଳା ରେ ବାଳା, ବିବିଧ ଚାତୁରୀଶୀଳା,

ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁଫୁଲ ତୋଳା ରେ,

ବିଳାସକୁଶଳା ରେ, ବଲ୍ଲୀନିଳୟବିହାରଲୋଳା ।୧।

 

ବାଳକାଳୁ ବାସ ପରି ରେ ବାଳା, ବଞ୍ଚୁଥିଲୁଁ ଅନୁସରି,

ବିଲକ୍ଷଣ ବନବିହାର ଉତ୍ସବ ବେଳେ ଯା ଦେଲୁ ପାଶୋରି ରେ,

ବିଚାର ତ ଗୋରୀ ରେ, ବିଶ୍ୱେ କାହିଁକି ପ୍ରୀତି ଆଚରି ।୨।

 

ବ୍ୟସ୍ତ ହୋଇ ଚିତ୍ରମାଛିରେ ବାଳା, ବ୍ରଣଗଣ ତ ଦିଶୁଛି,

ବିମ୍ବାଧରୁ ନବପଲ୍ଲବମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ,

ରିଶ୍ଲଥ ହୋଇଛି ରେ, ବାସ ପିନ୍ଧିଥାଉ ପରା କାଛି ।୩।

 

ବଲ୍ଲୀକି ଅନାଇ ଦୂରରୁ ରେ ବାଳା, ବାସରେ ତ ଭୟ କରୁ,

ବ୍ରଜେ ଆଜ ଶୁଣି ଆସିଲୁଁ ତୁ ପୁଣି ପ୍ରତିରାତି ଆସୁ ଘରୁରେ ।

ବିଜନେ ସଞ୍ଚରୁ ରେ, ବଡ ବିଷମ ଏ ଯା ନ ଡରୁ ।୪।

 

ବିନୟ ନୟବସତି ରେ ବାଳା, ବିମୋହନ କଳାବତୀ,

ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତିରେ,

ବଲ୍ଲବଯୁବତି ରେ, ବନ୍ଦେ ଅଷ୍ଟଦୁର୍ଗଧରାପତି ।୫।

(ରାଗ-ଆରଭୀ । ତାଳ-ଝୁଲା)

 

-ଗୀତକଥା-

୧- ବାଳା ! ବିଚିତ୍ର ବେଶରେତ ଭାରି ସୁନ୍ଦର ଦିଶୁଚୁ; ପୁଣି ବଡ଼ ଚତୁରୀ ତୁ, ଅଧରାତିରେ ଏକୁଟିଆ ହୋଇ କେମିତି ଆସି ଏ ବଣଟାରେ ଫୁଲ ତୋଳୁଚୁମ ? ନବ-ବିଳାସିନୀ ! କୁଞ୍ଜବନରେ ଖେଳାଲୀଳାରେ ମାତିବାକୁ ମନ ତୋର ଭାରି ହମହମ ହେଉଛି !

୨- ଗୋରୀ ରେ, ପିଲାଟି ଦିନରୁ ପିନ୍ଧାଲୁଗା ଦେହରେ ଲାଗି ରହିବାପରି ଆମେ ପରା ତୋ ଅନୁସରଣରେ ଥାଉଁ, ଏ ସରସ ବନବିହାର ଉତ୍ସବ ବେଳେ ତୁ ଆମକୁ ଏକାବେଳେକେ ପାସୋରି ପକାଇଲୁ ? ଏ କଥାଟା ଏକା ଆମକୁ ଭାରି ବାଧୁଚି, ବିଚାର କରି କହିଲୁ ଦେଖି, ଲୋକେ ସଂସାରରେ ବନ୍ଧୁ ବାନ୍ଧନ୍ତି କାହିଁକି ?

୩- ସହି ! ଗଣ୍ଡରେ ତୋର ଯେଉଁ ମାଛିର ଚିତ୍ର ସବୁ ହୋଇଥିଲା । ସେଗୁଡ଼ିକ ଲିଭି ଲିଭି ଗଲାପରି ଦିଶୁଛି, ଅଧରରେ କ୍ଷତ ହେବାପରି କଅଣ ଚିହ୍ନମାନ ଦେଖାଯାଉଛି ! ପାଚିଲା କଇଞ୍ଚିକାକୁଡ଼ପରି ତୋ ରଙ୍ଗ ଅଧରର ନୂଆ ପଲ୍ଲବମାନଙ୍କରୁ ମାଛିମାନଙ୍କୁ କିଛି କିଛି ବାଣ୍ଟିଲୁ କି ? ସେମାନେ ପଲ୍ଲବ ଲୋଭରେ ତୋ ଅଧରରେ ବସି କ୍ଷତ ବିକ୍ଷତ କରି ଦେଇଛନ୍ତି ବୋଧହୁଏ ! ତୁ ତ ସବୁବେଳେ କାଛିକରି ଲୁଗା ପିନ୍ଧିଥାଉ, ଆଜି ଏମିତି ହୁଗୁଳା ହୋଇଯାଇଛି କାହିଁକି ମ ?

୪- ଆମେ ତ ଜାଣିଥିଲୁଁ ତୁ ଛାର ଲତାଟାକୁ ଦେଖିଲେ ଡରୁ, ଆଜି ଶୁଣିଲୁଁ କଅଣ ନା-ତୁ ନିତି ରାତିରେ ଘରୁ ବାହାରିଆସି ନିଛାଟିଆରେ ବଣବୁଲା ଆରମ୍ଭ କରିଦେଇଚୁ ! ଏ କଥା ତ ବଡ଼ ତାଟକା ଲାଗୁଛି !

୫- ଧନି ! ତୁ ନୀତିନିପୁଣା, ବିନୟଶୀଳା ପୁଣି ନାନା ସୂକ୍ଷ୍ମ କଳା ବିଦ୍ୟାରେ ବିଚକ୍ଷଣା । ଗୋପାଳ ଘରର ଭୂଆଷୁଣୀ ହୋଇ କନ୍ଦର୍ପକୁ ଜିଣି, ପୃଥିବୀରେ ଯଶ ପତାକା ଉଡ଼ାଇ ଦେଲୁ କି ? ଆଠଗଡ଼ର ରାଜା ତୋ ପଦ ବନ୍ଦନା କରୁଛନ୍ତି ।

 

ଶ୍ଲୋକାଂଶ

ଯା ତ୍ୱଂ ଶିରୀଷାଙ୍ଗଲତେ ସହେଥା ନାଳୀଜନାଲିଙ୍ଗନମପ୍ୟଗାଢଂ, ଅନୀଳରତ୍ନାର୍ଗଳଯୁଗୂଋଦ୍ଧା ସୈବତ୍ୱମାସୀଃ କଥମଦ୍ୟ କଷ୍ଟଂ । ସାନ୍ତଃପ୍ରଣୟହାସପରିହାସୈର୍ବଚୋଭିରିତ୍ୟେବମାଳୀନାମାଲୀନାୟାମଙ୍ଗେଷୁ ଲଜ୍ଜାୟା ଲୀଳାବିମର୍ଦ୍ଦଦ୍ୟୁନାଙ୍ଗ୍ୟାମଙ୍ଗୀକୃତ୍ୟାଙ୍ଗରାଗାଦିସଂସ୍କାରଂ ସାଳସଲସତ୍ ସମୀରେଣ ପଥା କଦମ୍ବକଦମ୍ବସମ୍ବାଧେନତାଭିଃ ସହଚରୀଭିରବଗାହାୟ ଯମୁନାବାଃପ୍ରବିଷ୍ଟାୟାଂ ରାଧାୟାମକସ୍ମାଦାଗତଃ ସାନ୍ଦୀପନିମୁନିନନ୍ଦନଃ ସାନନ୍ଦଃ ଶ୍ରୀକୃଷ୍ଣଂ ପ୍ରତି ସସ୍ମିତମ୍ ।

 

ଅର୍ଥ :-

ସଖୀ- କୋମଳାଙ୍ଗୀ,

ଶିରୀଷ ସମାନ ତନୁ ତୋର,

ସହି ତ ନପାରୁ ସତେ

ସଖୀଜନ ସ୍ନେହ ଆଲିଙ୍ଗନ;

କିକରି ରେ ସହି !

 

ଧରାଦେଲୁ ନୀଳମଣି ବାହୁର ବନ୍ଧନେ;-

ଅର୍ଗଳରୁ ବଳି ଯାହା କଠୋର, କଠିନ ?

ଶୁଣି ଏତେ-

ଲାଜେ ଗଲେ ସଢି ସୁକୁମାରୀ,

 

ଏକେ ତ କୋମଳ ତନୁ ରତିରଙ୍ଗେ କ୍ଲାନ୍ତ ।

ଦୁଜେ ପୁଣି-

କଦମ୍ବ କାନନ ଛୁଇଁ ବହୁଥିଲା ସମୀରଣ ମନ୍ଦ ।

ଯମୁନା ପୁଲୀନ-ବାହୀ କ୍ଷୀଣ ବନପଥେ-

ସୁବାସିତ ଅଙ୍ଗରାଗ ସୁଲେପିତ ଗୋପୀକା ଗହଣେ,

 

ପ୍ରବେଶିଲେ ବ୍ରଜେଶ୍ୱରୀ

ଯମୁନାର ଜଳେ ।

ତେଣେ ସାନ୍ଦୀପନି ମୁନିସୁତ

ଆକସ୍ମାତ୍ ପଥେ ଭେଟି ରସିକରାଜଙ୍କୁ

ସମ୍ଭାଷିଲେ ପରିହାସେ-

 

‘ଶ’

ଅନୁଚିନ୍ତା

ଶଙ୍କି ବନପଥେ ଯାଉଁ ଯାଉଁ ଧରା ପଡ଼ିଲେ ପୀରତି ଚୋର

ଶଠ ବାଟ ଜଗି ବଟୁ-ଛଳ-କୁହା ପଚାରଇ ଧରି କର:-

ଶେଜ ତେଜି ଏଡ଼େ ବେଗେ ରାଜାପୁଅ, ଯାଇଥିଲ କହ କାହିଁ,

ଶାଉଁଳା ଶାଉଁଳି ପାଶୋରି, ବାଗଡ଼ ଦେବଟି ମୋତେ କହ୍ନାଇଁ ।

 

-ଗୀତ-

ଶ୍ୟାମ ଶିଖଣ୍ଡ-ଚୂଳ,

ଶ୍ରମ କି ଆଜଯାକେ ହେଲା ସଫଳ ।ପଦ।

ଶର୍ବରୀ ନିଦ୍ରା ବିନା ଗଲା କି ସରି,

ଶମ୍ବରପରପୁର କଲେ କି ଜୁରି ? ।୧।

 

ଶ୍ରୀଅଙ୍ଗ ବେଶ କିପାଁ ଏପରି ଆଜ,

ଶରଦଚନ୍ଦ୍ର ଚୁମ୍ବୁନାହିଁ କି ଲାଜ ।୨।

ଶିଶୁ ହେଲେହେଁ ତୁମ୍ଭେ କଲଭ ସରି,

ଶଶ କିଶୋରୀଟିକି ଦେଲ ଯେ ସାରି ।୩।

 

ଶିରୀଷ ମାଳା ଦଳିଦେଇ କୁଠାରେ,

ଶଙ୍କା ନ କଲ ସଖାମାନଙ୍କଠାରେ ।୪।

ଶରମପ୍ରଦ ଆଜସରିକି ହେଲା,

ଶମନସ୍ୱସା-ତଟ-ଅଟବୀ ବୁଲା ।୫।

 

ଶିର ସୁନ୍ଦର ଦିଶେ ଯାବକ-ବୋଳେ,

ଶରଣ ବୋଲି ପଡ଼ିଲ କି ପା’ତଳେ ।୬।

ଶପଥ ଶତ ଶତ କହଟି ସତ,

ଶ୍ରୀବାଲୁଙ୍କେଶ ଦେବ ରଚିଲେ ଗୀତ ।୭।

(ରାଗ-ମୁକାବରୀ । ତାଳ-ଏକତାଳୀ)

 

-ଗୀତକଥା-

ମଧୁମଙ୍ଗଳ :-

ମୟୂର-ଚୂଳିଆ ଶ୍ୟାମ । ଯେତେ ପରିଶ୍ରମ ଆଜିଯାକେ କରିଥିଲ, ସେ ସବୁ କଅଣ ସଫଳ ହେଲା କି ?

୧। କନ୍ଦର୍ପ-ଭଣ୍ଡାର ଲୁଟି କରୁକରୁ ଅନିଦ୍ରାରେ ରାତି ପାହିଗଲା କି ଆଉ ?

୨। ଅଙ୍ଗ-ଶୋଭା ତ କାହିଁକି ମଳିନ ଦିଶୁଛି ! ଶରତ ଚନ୍ଦ୍ରପରି ଶ୍ରୀମୁଖକୁ ଟିକିଏ ହେଲେ ଲାଜ ମାଡ଼ୁନାହିଁ ?

୩। ବାଳକ ହେଲେ କଅଣ ହେବ, ଦେହରେ ତମର ତ ହାତୀଛୁଆର ବଳ । ଶଶା ପରି କୋମଳାଙ୍ଗୀ କିଶୋରୀଟିକୁ ସାରି ତ ଦେଇଥିବ ତୁମେ !

୪। ହଇହେ କାହ୍ନୁ ! ୟେ କେଡ଼େ ଦୁଃଖର କଥା ! ଶିରୀଷଫୁଲର ମାଳାକୁ କୁରାଢୀରେ ଦଳିଦେଲ ! ସାଙ୍ଗ ସାଥିକୁ ତମର ତିଳେ ହେଲେ ଭୟ ହେଲା ନାହିଁ ?

୫। ଯମୁନା କୂଳର ବଣବୁଲାଟା ଏବସରିକି ତମକୁ ସୁଖକର ବୋଧ ହେଲା ପରା ?

୬। ମଥାରେ ଅଳତାବୋଳ ଲାଗିଛି, ଭାରି ସୁନ୍ଦର ଦିଶୁଛି ତ ! ‘ଶରଣ ନେଲି’ ବୋଲି କହି, କାହା ପା’ ତଳେ ପଡ଼ିଗଲ କି ?

୭। ଶହେଥର ମୋ ରାଣ ଦେଉଚି ତୁମକୁ କାହ୍ନୁ, ମୋତେ ସତ ସତ କହ । ରାଜା ବାଲୁକେଶ ଏ ଗୀତରେ ଭଣିଲେ ।

 

-ଶ୍ଳୋକାଂଶ-

ନବଶୈଶବ ସୌକୁମାର୍ଯ୍ୟ ଧୁର୍ଯ୍ୟାଙ୍ଗୁଳିଲୀଳୋଦ୍ଧୃତଦୂର୍ଦ୍ଧରାଚଳସ୍ୟ,

ତବ ତସ୍ୟ ବାଳାଢ଼୍ୟ ବାଳିକାୟାଃ ସ୍ତନତାଳଦ୍ୱୟଦାରଣଂ ନ ଚିତ୍ରଂ ।

 

ଚିରଣେ ଲବ୍‌ଧାକ୍ଷୁବ୍‌ଧମନୋରଥ ଫଳତୟା ଗର୍ବିତୋଽସି ଖର୍ବିତପର୍ବଶର୍ବରୀରମଣାସ୍ୟାଦ୍ୟବୋଦ୍ଧବ୍ୟଂ ନନ୍ଦଯଶୋଦୟୋଃ ପୁରତସ୍ତବାଚରିତ ମିତ୍ୟୁକ୍ତବତି ମଧୁମଙ୍ଗଳେ ସପ୍ରଣୟମୀଷତ୍ରାସସ୍ମିତଂ ତଂ ପ୍ରତି କୃଷ୍ଣଃ, ଧୂର୍ତ୍ତାର୍ତ୍ତସ୍ୟ ବାର୍ତ୍ତତା ବାର୍ତ୍ତାମପି କିଂ ନାଭିପ୍ରୈଷି ଭିନ୍ନାମବଲମ୍ବସେ ଦାରୁଣାଂ ସରଣୀମ୍ ।।

 

ମଧୁମଙ୍ଗଳ :-

ଆହେ ବଳବାନ୍,-

ଶୈଶବରେ ଯା’ର

ସୁକୁମାର କରାଙ୍ଗୁଳି

ତୋଳିଥିଲା ଅବହେଳେ ଗିରି ଗୋବର୍ଦ୍ଧନ,

 

ବିଚିତ୍ର ନୁହଇ ତାହା ପକ୍ଷେ

ବାଳିକାର ତାଳସ୍ତନ ବିଦାରଣ ଏବେ ।

ହେ ଶ୍ରୀକୃଷ୍ଣ !

ମୁଖ-ଶିରୀ ନିନ୍ଦେ ପୂର୍ଣ୍ଣଶଶି,

 

ଗର୍ବିତ ହୋଇଛ ତୁମ୍ଭେ,

ପୂରି ଅଛି ବୋଲି ପରା

ବହୁକାଳ-ସଞ୍ଚିତ ବାସନା !

ଚାଲ, ଚାଲ ତେବେ ଶ୍ୟାମଚନ୍ଦ୍ର !

 

ବୁଝାପଡ଼ା ହେବ କଥା

ତୁମ୍ଭ ପିତା ମାତାଙ୍କ ସମୀପେ ।

ସଖା ମଧୁମଙ୍ଗଳର ବଚନ ଶୁଣନ୍ତେ,

ଭୀତି ମିଶା ହସ ତୁଲେ

କହିଲେ କହ୍ନାଇ:-

ଧୂର୍ତ୍ତ ଶିରୋମଣି ବନ୍ଧୁବର !

 

ଏଡ଼ିକି ଦାରୁଣ ତୁମ୍ଭେ ଜାଣିତ ନଥିଲି,

ଆରତ ମୁଁ ପରା,

ନ ପଚାରି କୁଶଳ ବାରତା ମୋର

ତୁମ୍ଭେ ପୁଣି ହେଉଛ କଠୋର ?

 

‘ସ’

ଅନୁଚିନ୍ତା

ସବୁ ମନ୍ଦ କରି ମହତ ଜନର ହାବୁଡ଼େ ପଡ଼ିଲେ ତରି

ସତ କି ମିଛ-ଏ ମହାଜନ ପଦ, ପଦକ ମନେ ବିଚାରି,

ସାରିଦିଅ ନାହିଁ ସଖା, ଆଉ ଲାଜେ, ବୋଇଲେ ମୁରଲୀଧର,

ସାଇତି ସଜାଡ଼ି, କଥା କହିବାରେ ନାଗର ତ ଧୂରନ୍ଧର ।

 

-ଗୀତ-

ସପତଟି ମୋର ରେ, ସହ ଏହି ଥର ରେ

ସାର ହାରମସାରମଣିବର ପରି ଧରି ବକ୍ଷସ୍ଥଳେ ନିରନ୍ତର,

ନଫିଙ୍ଗି ପୁଣି ହଟି, ସୁନ୍ଦର ନୁହଇଟି

ବିଚାର ଭରସା ବଢ଼ାଅ ଅପରିମିତ ।ପଦ।

 

ଶୁଣିଲେ ଆଉ କେ ବ୍ରଜେ, ସରିଯିବି ସିନା ଲାଜେ,

ସାହା ତୁ ନୋହିଲେ କିଛି, ସଂସାରେ ମୁଁ ନିକି ଅଛି ।୧।

ସାଧୁଜନ କୁକ୍ଷିକୂପେ, ଭଲ ମନ୍ଦ ସିନା ଛପେ,

ହଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ ।୨।

 

ସବୁ ଅନ୍ୟାୟ ଚରିତ, ଶିକ୍ଷାକୁ ଗୁରୁ ତୁହି ତ,

ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏ ଟିକି ? ।୩।

ସମାଂସମୀନା ଅୟୁତେ, ସମର୍ପି ଦେବି ମୁଁ ତୋତେ,

ସମ୍ଭାଳ ମୋର ଆବୁର, ସର୍ବସ୍ୱ ପରା ତୁ ମୋର ।୪।

 

ସାକ୍ଷାତ ଦେଖିଲା ପରି, ସାକ୍ଷୀ ଦେବାକୁ ବାହାରି,

ସାଧିବାର ଅବିଚାର, ସପତ୍ନୀ ମୁଁ ନୁହେଁ ତୋର ।୫।

ସାନ୍ଦୀପନି ସୁତ ଯତି, ସେ କି ଜାଣେ ବୋଲି ପ୍ରୀତି,

ସରସେ ପିଟିବେ ଢକ୍କା; ସମ୍ପାଦିବୁ ଏତେ ଏକା ।୬।

 

ଶୁଣି କିଶୋର ବଚନ, ସଖା କଲେ ଆଲିଙ୍ଗନ,

ସୁତ୍ରାମା ଅଷ୍ଟଦୁର୍ଗର, ସନ୍ତୋଷେ ଯୋଡ଼ିଲେ କର ।୭।

( ରାଗ-କଲ୍ୟାଣୀ । ତାଳ ଆଠତାଳି ।)

 

-ଗୀତକଥା-

ଶ୍ରୀକୃଷ୍ଣ-

ସଖା ମଧୁମଙ୍ଗଳ ! ସହି ଯା’ ଏଇ ଥରଟା, ତୁମକୁ ମୋ ରାଣ । ଅତି ସରାଗରେ ସରସ ଇନ୍ଦ୍ରନୀଳମଣିକୁ ଛାତିରେ ହାରକରି ପକାଇ, ପୁଣି ଗେଲଗେଲରେ ତାକୁ ଫିଙ୍ଗି ଦିଅନାହିଁ । ଟିକିଏ ଏ କଥାକୁ ବିଚାର କର । ମୋ ଭବିଷ୍ୟତ ଆଶା ବଢ଼ାଇବାରେ ତୁମେ ସାହାଯ୍ୟ ହୁଅ ।

୧- କଥାଟା ଯେବେ ଗୋପପୁରରେ କେହି ଶୁଣିବେ, ତେବେ ମୋ ମହତ୍ତ୍ୱ ସରିଯିବ; ମୁଁ ଲାଜରେ ମରିଯିବି ସିନା ! ତୁମେ ମୋର ସାହା ନୋହିଲେ ମୁଁ ଆଉ ଜୀଇବି ଟିକି ?

୨- ସାଧୁଲୋକଙ୍କ ପେଟ ଭିତରେ ସବୁକଥା ଲୁଚି ଛପି ରହେ, କଥାଟା ବାହାରକୁ ଫୁଟେ ନାଇଁ । ରାଗ ନାହିଁ ଆଉ, ତୁମେ ପରା ମୋର ପ୍ରକୃତ ବନ୍ଧୁ ।

୩- ଯେତେକ ଅନ୍ୟାୟ ଆଚରଣର ତ ଗୁରୁ ତୁମେ ଆଉ ବେଳସରିକି ତଣ୍ଟି ଚିପି ଦେବାଟା କଅଣ ବନ୍ଧୁ ପଣିଆଁ ?

୪- ଦଶହଜାର ଦୁଧିଆଳି ଗାଈ ମୁଁ ଦେବି ତୁମକୁ । ମୋ ମହତ୍ୱ ରଖ । ସମ୍ଭାଳି ଯାଆ, ତୁମେ ପରା ମୋର ସର୍ବସ୍ୱ ।

୫- ଆଖି ଦେଖା ଭଳି ସାକ୍ଷୀ ଦେବାକୁ ବାହାରି ପଡ଼ୁଛ ଯେ, ମୁ କଅଣ ତମ ଭଗାରି ? ଏମିତି ଅବିଚାର କାହିଁକି କରୁଛ ?

୬- ହେଲା ଏବେ, ତୁମେ ଏ କଥା ଦାଣ୍ଡରେ ପ୍ରକାଶ କରିବ । ଲୋକେ କଅଣ କହିବେ ଜାଣ ? କହିବେ । ସାନ୍ଦୀପନି ଋଷିଙ୍କ ପୁଅ ହୋଇ ସେ ଅବା ପ୍ରୀତି କଥା କଅଣ ଜାଣିବ ? ସେ ତ ତପସ୍ୱୀଟିଏ । -ଶେଷରେ ଅପବାଦ ତୁମକୁ ଭୋଗିବାକୁ ପଡ଼ିବ ସିନା !

ଶ୍ରକୃଷ୍ଣଙ୍କଠାରୁ ଏସବୁ କଥା ଶୁଣି ମଧୁମଙ୍ଗଳ ତାଙ୍କୁ ସ୍ନେହାଲିଙ୍ଗନ ଦେଲେ ।

ଆଠଗଡ଼ର ରାଜା ସନ୍ତୋଷରେ କର ଯୋଡ଼ିଲେ ।

 

-ଶ୍ଳୋକାଂଶ-

ଅନ୍ୟୋଽନ୍ୟାଶ୍ଳେଷଶର୍ମ୍ମ ବ୍ୟତିକରବିମଳସ୍ୱାନ୍ତସନ୍ତୋଷବନ୍ତା-

ବନ୍ୟୋନ୍ୟାକ୍ଷୀଣଲକ୍ଷ୍ମୀକ୍ଷଣଗଳିତସମସ୍ତାନ୍ତରାୟୌ ସଖାୟୌ ।

ସଶ୍ରଦ୍ଧାବର୍ଦ୍ଧପଦ୍ଧତ୍ୟୁପନତସଖିଭିଃ ସାର୍ଦ୍ଧମାନଦ୍ଧ ବଂଶୀ-

ଶୃଙ୍ଗଧ୍ୱାନାଢ଼୍ୟତୀରଂ ତଦପଘନଭୁବୋ ଜଗ୍ମତୁସ୍ତିଗ୍ମରଶ୍ମେଃ ।

ତତସ୍ତସ୍ୟାସ୍ତୀରେଽପ୍ୟନ୍ୟତ୍ରାନୀଳଶତପତ୍ରପତ୍ରସଗୋତ୍ରନେତ୍ରାଭିର୍ବଲ୍ଲବପଲ୍ଲବାଧରାଭିଶ୍ଚିରାଦବଲୋକ୍ୟ ସବ୍ରଜବାଳକବ୍ରଜଂ ସମୁବ୍ଦଣ୍ଡତାଣ୍ଡବପାଣ୍ଡିତ୍ୟଶୋଭାପିଚିଣ୍ଡିଳଚରଣାମ୍ଭୋଜଂ କିଞ୍ଚିଦବଶିଷ୍ଟଶୈଶବଂ କେଶବଂ ମିଥଃ କଥାସ୍ତେନିରେ ।

 

ଅର୍ଥ :

ଆନନ୍ଦରେ କୋଳାକୋଳି ହେଲେ ବେନି ସଖା ।

ଦୂର ହେଲା କାହିଁ ସବୁ ବାଧା ।

ଯାଉଁ ଯାଉଁ ଦୁହେଁ ମନ ସୁଖେ,

ସଖାଗଣ ଭେଟିଲେ ପଥରେ ।

ମୃଦଙ୍ଗ, ମୁରଲୀ, ଶିଙ୍ଗା, ବଜାଇ ଆନନ୍ଦେ

ଚଳିଲେ ସରବେ ନୀଳ ଯମୁନାର ତୀରେ ।

 

ଆନ ଘାଟେ ଯମୁନାର-

ପଦ୍ମ-ପଲାଶ-ଲୋଚନା

ପଲ୍ଲବଅରୁଣାଧରା-

ବରଜଅଙ୍ଗନା କୁଳ,

ବରଜ ବାଳକତୁଲେ

ହେରି, ନର୍ତ୍ତକ-ନାୟକ ଶ୍ୟାମେ

ପରସ୍ପର ପ୍ରେମାଳାପେ ହେଲେ କୁହାକୁହି :-

 

‘ଷ’

ଅନୁଚିନ୍ତା

ଷଟପଦ ସିନା ଲୋଡ଼ି ବୁଲେ ମଧୁ ଏ ତ ବିପରୀତ ଛଇ

ଷୋଳ, ସତରରୁ ଯଉବନ-ପଦ ଆଗ ଆଗ ବଳିନାହିଁ;

ଷଡ଼ଜ-ପଞ୍ଚମ ମିଳନ ମନାସି ଲାଜହରା ହେଲେ ଗୋଇ

ଷଠିରେ ମନାଇଁ ଭଲା ସୁତ ସତେ ନନ୍ଦରାଣୀ ଅଛି ପାଇ !

 

-ଗୀତ-

ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ,

ସର୍ବଂସହାରେ ଖେଳୁଛି ନବ ବାରିବାହ;

ସମୀପରେ ତାର ରହି,

ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧।

 

ସଜ ହୋଇ ସ୍ମରସରଦାର ଅବା ଆସେ,

ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ,

ସାରିଦେବ ପରା ଆଜ,

ସୁରେଶ୍ୱର ରତନ କି ହେବାରୁ ଜଙ୍ଗମ,

 

ସବୁ ମଣିମାନଙ୍କୁ ମିଳିଲା ସେହିକ୍ରମ,

ସ୍ୱର୍ଣ୍ଣବର୍ଣ୍ଣାଏ ଏଣିକି,

ସମ୍ପାଦିବେ ମୂର୍ତ୍ତିମନ୍ତ ରତନଶ୍ରେଣୀକି ।୩।

 

ସଞ୍ଚରଣଶୀଳ ନ ବତମାଳ ଭୂରୁହ;

ସଙ୍ଗେ ଘେନିଆସୁଅଛି ସଖା-ଶାଖିବ୍ୟୁହ,

ଶୁକ ଶାରୀ ପରଭୃତ,

ଶାଖାମାନଙ୍କରେ କରୁଅଛନ୍ତି ସଙ୍ଗୀତ ।୪।

 

ସୁରଧୂନୀ ତୀରେ ଯେବେ କରିଥିବା ତପ,

ଶଙ୍ଖାଳି କରି ଏ ତାପିଞ୍ଛର ଅନାତପ,

ସୁଖେ ବଞ୍ଚିବା ବସନ୍ତେ,

ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।

 

-ଗୀତକଥା-

୧- ଭ୍ରମର ପରି ନୀଳ କେଶଧାରିଣୀ ରେ ସଖି, ଚାହିଁ ଦେଖ, ପୃଥିବୀ ଉପରେ ସତେ ଅବା ନୂଆ ମେଘ ଖେଳୁଛି, ପାଖେ ପାଖେ ତା’ର ମୟୂରମାନେ ନାଚୁଛନ୍ତି !

୨- ସେନାପତି କନ୍ଦର୍ପ ଅବା ସଜବାଜ ହୋଇ ଲଢ଼େଇକି ବାହାରିଛି ! ଚାରିପାଖରେ ତା’ର ଲଢ଼ୁଆ ଫଉଜ ଘେରି ରହିଛନ୍ତି ସତେ ! କମଳଲୋଚନା ବାଳାମଣିଙ୍କର ଲାଜ ସେ ନିଶ୍ଚେ ଆଜି ଦୂରକୁ ହଟାଇ ଦେବ ।

 

୩- ସତେ ଅବା ଇନ୍ଦ୍ରନୀଳମଣିର ଚଳନଶକ୍ତି ସୃଷ୍ଟି ହେଲା, ଆଉ ତା ସଙ୍ଗେସଙ୍ଗେ ଆଉ ମଣିମାନେ ଗତିଶୀଳ ହେଲେ । (ଶ୍ରୀକୃଷ୍ଣଙ୍କୁ ଇନ୍ଦ୍ରନୀଳମଣି ଓ ସଖୀମାନଙ୍କୁ ଅନ୍ୟାନ୍ୟ ମଣି ବୋଲି କଳ୍ପନା) ଏଥର ସୁନାବରନା ରମଣୀମାନେ ଏ ମୂର୍ତ୍ତିବନ୍ତ ମଣିମାନଙ୍କୁ ସରାଗରେ ଆପଣାରକରି ସାଇତି ରଖିବେ ।

 

୪- ଅଥବା ଚଳନ୍ତା ତମାଳମାଳ ସାଥୀରେ ତା’ର ଅନ୍ୟାନ୍ୟ ବନ୍ଧୁଗଛମାନଙ୍କୁ ଘେନି ଆସୁଛି କି ? ଶୁଆ, ଶାରୀ, କୋଇଲି ପ୍ରଭୃତି ପକ୍ଷୀମାନେ ସେ ଗଛର ଶାଖାମାନଙ୍କରେ ବସି ସଙ୍ଗୀତ ଗାଉଛନ୍ତି କି ?

୫- ସହୀ, ସ୍ୱର୍ଗଗଙ୍ଗାକୂଳରେ ଯେବେ ଆମେ ସଭିଏଁ ତପସ୍ୟା କରିଥିବା, ତେବେ ଏ ତମାଳ ଗଛର ଛାଇକି ଶଙ୍ଖାଳି କରି ସୁଖରେ ବସନ୍ତ-କାଳ ବିତାଇବା ।

ସାମନ୍ତ ରାଜାମାନଙ୍କ ଭିତରେ ଚନ୍ଦ୍ରପରି ଜଗଦ୍ଦେବ ଏ ଗୀତ ରଚନା କଲେ ।

 

-ଶ୍ଳୋକାଂଶ-

ପୁରତଃ କରିତୋଽପି ତର୍ଣ୍ଣକା ଦଧତି କ୍ରୀଡ଼ନମାଳି ଯସ୍ୟ ସଃ

ଅତସୀ ସୁମନଶ୍ରବିଃ ଶିଶୁର୍ବଦ କୋଽୟଂ ଜନନେତ୍ରରଞ୍ଜନଃ ।

 

ଇତି କୌତୁହଳଲୋଳଲୋଚନାନାମାଭୀରାମ୍ଭୋରୁହାକ୍ଷୀଣା-

ମନ୍ୟୋଽନ୍ୟ ସମ୍ଭାଷଣସମାପ୍ତାବେବ ନେଦିଷ୍ଠ ସେକତାଙ୍ଗଣାଲିଙ୍ଗିତ-

ଚରଣସରସିଜେ ନଟବ୍ରଜେ ବିଧ୍ୱସ୍ତଚତୁରଷ୍କୋଟିକଜ୍ଞାନମୟଂ

ମଦନମୋହନ ଇତି ପ୍ରେମମହିମାଡ଼ମ୍ବରଃ ସମାବିରାସୀତ୍

 

ଅର୍ଥ :-

କିଏ ସେ ବାଳକ, ଦେଖି ସଖି !

ଆଶେ ପାଶେ ଯାହାଙ୍କର ;-

ଚିରାମାରି ଖେଳୁଛନ୍ତି କଅଁଳା ବାଛୁରୀ ?

ଆଖିଭୁଲା କି ରୂପ ଲୋ ସତେ ତା’ର ।

 

ନିନ୍ଦାକରେ ଅତସି କୁସୁମେ ?

କମଳନୟନା ଗୋପବାଳା

ଖେଳାଇ ଚଞ୍ଚଳନେତ୍ର

ଆଳାପିଲେ ଅତି ଆନନ୍ଦରେ ।

 

ନାଚି ନାଚି କହ୍ନାଇ ତୁଲରେ

ପ୍ରବେଶିଲେ ଏ କାଳରେ ବରଜ ବାଳକେ

ଯମୁନାର ତୀର ବାଲୁଚରେ ।

 

ସବୁ ଭୁଲି-

ଭୁଲି ଆପଣାରେ,

ଭାଷିଲେ ଗୋପୀଏ-

ସଜନୀ ଲୋ !

ଅଟନ୍ତି ଏ ଯୁବା ନିଶ୍ଚେ

ମଦନ-ମୋହନ ।

 

‘ହ’

-ଅନୁଚିନ୍ତା-

ହରାଇ ମଦନଶିରୀ କି ଶୋଭନ ! ମୋହନ ଯମୁନା ତଟେ

ହେର ଲୋ କିଶୋରି ! ଖଞ୍ଜନ-ଗଞ୍ଜନ ଯୁଗଳ ନୟନ ପଟେ,

ହେଜାଇ ଲଳିତା କହେ ତୁନି ତୁନି ‘‘ଆପଣାର କର ରାଈ’’

ହର-ପର ପରପଞ୍ଚ ଏଥରକ ଜୁହାରିବ ତୋରେ ସହି !

 

-ଗୀତ-

ହରି ଆମ୍ଭର ଗୋ ଏ ତ ପ୍ରାଣଧନ ।ପଦ।

ହରିହୟମଣିକି ଜିଣିଛି ଅପଘନ ଗୋ,

ନିନ୍ଦୁ ଅଛି ଇନ୍ଦୁକୁ ବଦନ ଗୋ ।୧।

ହଜାର ସଂଖ୍ୟକ ଏକ ହେଲେହେଁ ମଦନ ଗୋ,

ନୋହିବ ଏ ମୋହନ ସମାନ ଗୋ ।୨।

 

ହଜି ନ ଯିବ ଜିମୂତକେଶାର କି ଜ୍ଞାନ ଗୋ,

ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩।

ହଟି, ଥରେ କରିବା କି ରଦାମ୍ବର ପାନ ଗୋ,

ହେବ ଫଳବନ୍ତ ଯଉବନ ଗୋ ।୪।

 

ହାର ମଧ୍ୟରେ ଆମ୍ଭର ତରଳ ରତନ ଗୋ,

ହେବ କି ଏ ଯୁବତୀ-ଜୀବନ ଗୋ ।୫।

ହୃଷ୍ଟ ହୋଇ ଅଷ୍ଟଦୁର୍ଗନମୁଚିସୂଦନ ଗୋ,

କଲା ଏ ରସରେ ବିରଚନ ଗୋ ।୬।

(ରାଗ-ଗୌଡ଼ା । ତାଳ-ଝୁଲା ।)

 

-ଗୀତକଥା-

ହେଇଟି, ଆମର ଜୀବନଧନ ହରି ।

୧- ଇନ୍ଦ୍ର ନୀଳମଣି-ତେଜକୁ ବଳି ଏହାଙ୍କର ଶ୍ରୀଅଙ୍ଗ ଝଟକୁଛି । ଶ୍ରୀମୁଖ-ଶୋଭା ଚନ୍ଦ୍ରକୁ ନିନ୍ଦା କରୁଛି ।

୨- ହଜାରେ କନ୍ଦର୍ପ ହେଲେ ବି ଏ ଶୋଭାର ସମାନ ହେବ ନାହିଁ ।

୩- ଘନକୁନ୍ତଳା ନାଗରୀମାନଙ୍କ ଜ୍ଞାନ ହଜିଯିବ ସଖି, ଏହାଙ୍କ ମୁରଲୀର ଲଳିତ ସ୍ୱନ ଶୁଣିଲେ ।

୪- ସହି ମ, ଥରେ ଯେବେ ଗେଲଗେଲରେ ତାଙ୍କର ଅଧର ଚୁମ୍ବନ କରିପାରନ୍ତେ, ଯୌବନ ଆମର ସାର୍ଥକ ହୋଇଯାଆନ୍ତା ।

୫- ଯୁବତୀ ମନମୋକ୍ଷନ ଶ୍ରୀକୃଷ୍ଣ ସତେ ଆମ କଣ୍ଠହାରର ଉଜ୍ଜ୍ୱଳ ପଦକ ପରି ବିରାଜମାନ ହେବେ ?

୬- ଆଠଗଡ଼ର ରାଜା ଆନନ୍ଦ ମନରେ ଏହା ରଚନା କଲେ ।

 

ଏତସ୍ୟେକ୍ଷଣକୋଣବୀକ୍ଷଣବଳନ୍ନୀଳାରବିନ୍ଦାଶୁଗା

ସାରୈଃ ସାରସସାରସୁନ୍ଦରଦୃଶାଂ କନ୍ଦର୍ପଦର୍ପୋଦୟଃ ।

ଦାସ୍ୟଂ କିଂ ନ ବିବେଶ ବିଶ୍ୱମିୟତୈଃ ତତ୍‌କିଂ ମଣିନାଂ ଗଣୈଃ

ସମ୍ବାଧାଂ ମୁରଲୀଂ ଦୂରନ୍ତଖୁରଲୀଂ ବିମ୍ବାଧରଶ୍ଚୁମ୍ବତି ।

 

ଚରାଚରଧୈର୍ଯ୍ୟବିଧ୍ୱଂସିନି ବର୍ହାବତଂସବଂଶୀନିନଦେ ପ୍ରସରତ୍ୟର୍କଜାୟାଃ କାର୍କଶ୍ୟସ୍ୟ ଶିଳାବଳୀନାଂ ଜଳତାୟାଃ ଶାଖିନାମପ୍ୟାଶିଖଂ ସପୁଲକତ୍ୱସ୍ୟ ମୃଗାଣମୁତ୍‌କର୍ଣ୍ଣତାୟାଃ ଫଣିନାଂ ଚକିତବିଲୋଚନସ୍ୟାନୁଭବୋ ବଭୁବ ।

 

ଅର୍ଥ :-

ସଖି !

ନୀଳଉତ୍ପଳ ନିର୍ମିତ

ଚଳନ୍ତା ଶର ସମାନ,

ମୋହନର ଅପାଙ୍ଗ ବିଳାସ ।

 

ଜନମାଏ ଅବହେଳେ କନ୍ଦର୍ପ-ଉନ୍ମାଦ

ପଦ୍ମନେତ୍ରୀ ତରୁଣୀ ମାନସେ ସେ ତ !

ଅପାଙ୍ଗ ଦୃଷ୍ଟିରେ ଯା’ର

ବଶ ହେଲେ ବିଶ୍ୱ-ବାସୀ ଯେତେ

କାହିଁକି ଲୋ ଆଉ ?

କାହିଁକି ତା ବିମ୍ବାଧର ତେବେ

ମୁରଲୀ ବାଦନେ ସତେ ।

 

କରୁଛି ପ୍ରୟାସ ?

ବାଧୁଥିବ ପରା ସତେ ନରମ ଅଧରେ ତା’ର

ରତନ ଖଚିତ ଏଇ ମୁରଲୀର କଠୋର ପରଶ !

ଦେଖ ଲୋ ସଜନୀ ! ଦେଖ,

ଶିଖୀଚୂଳିଆର

ଚରାଚର ଧୈର୍ଯ୍ୟହରା ମୁରଲୀ ନିନାଦେ

ଘନ ହେଲା ଯମୁନାରେ ଢଳ ଢଳ ଜଳ ।

 

ତରଳେ ପାଷାଣ ବୁକୁ ।

ଲୋମାଞ୍ଚିତ ହେଲା ଅନାଁ

ପାଦଠାରୁ ଶିଖଯାଏ ତରୁ ।

କାନପାରି ତୁନି ହେଲେ

କାନନର ଚପଳ କୁରଙ୍ଗ ।

 

ଆଖି ମେଲି

ଥମକି ଅନାଇଁ ରହେ

ବିଷଧର ଅହି;

ବିସ୍ମିତ ମାନସେ ।

 

‘କ୍ଷ’

ଅନୁଚିନ୍ତା

କ୍ଷରୁଛି ଯେ ମଧୁ ମୋହନ ବେଣୁରୁ କାନ ତାହା ପିଉଥାଉ

କ୍ଷଣ ପାଇଁ ହେଲେ ଜୀବନ ସଞ୍ଜରେ ଗୁଣଗଣ କଣ୍ଠ ଗାଉ

କ୍ଷମାନିଧି ପଦେ ଜୁହାରି, ଗୁହାରି ଏତିକି-ହେ ବନମାଳି !

କ୍ଷମ ହେଉ କବିଶଶି ଲଭିବାରେ କବିରବି କର-ମାଳି ।

 

-ଗୀତ-

କ୍ଷମାନୁକମ୍ପାଧର ହେ,

କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ

ପରିରମ୍ଭ ଚତୁର ହେ ।ପଦ।

 

କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ,

ଶ୍ରୁତିଶିର-ଅବତଂସାକୃତି ଶ୍ରୀଚରଣ ହେ,

ମରାଳବିହରଣ,-କରାର୍ଚ୍ଚିତ ଚରଣ,

ଧରାଭାର ହରଣ, ଚରାଚର ଶରଣ,

ତରାବର କିରଣ,-ବରାବର ଚରଣ;

-ନଖାଂଶୁ ସୁରଗଣ, ଶିଖାଭରଣ ହେ ।୧।

 

କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ,

କ୍ଷମ ହେବାରୁ ମୁଁ ପାପୀ ଗଣେ ବିଶ୍ୱମ୍ଭର ହେ,

ମନା ନ କର ହିତ, ଅନାଦର ରହିତ,

ଅନାଉଣି ନିରତ, ଚୂନାକରୁ ଦୂରିତ,

ଅନାଦର ମୋ ଚିତ୍ତ, ମନାସୁଛି ଅହିତ,

ଜନାର୍ଦ୍ଦନ ପତିତ-ଜନାବହିତ ।୨।

 

କ୍ଷମ ତ ମୁଁ ନୁହେଁ ଅନୁପମ-ଅନୁଭାବ ହେ,

ଯମଦଣ୍ଡରୁ ମୋ ରକ୍ଷା କେମନ୍ତ ଟି ହେବ ହେ,

ଜଳାକରଭବନ, ବଳାମୁଖ ଭୁବନ,

ବଳାହିତ ରତନ, ବଳାବରଜ ଜନ,

କଳାପର ବୃଜିନ, ଦଳା ସୁକୃତି ଧନ-,

ବଳାଢ଼୍ୟମୁନି ମନ-କଳାପି ଘନ ହେ ।୩।

 

କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ,

ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ,

ବ୍ୟଥାନିବହ ହର, ପ୍ରଥା ଚଳୁ ମିହିର,

ପଥାନ୍ତରକୁ ହର, ରଥାଦିରୁ ଅମର-;

ମଥାମଣି ନିକର, ରଥାଙ୍ଗଯୁତ କର,

କଥା ବିନୟ ମୋର ବୃଥା ନ କର ହେ ।୪।

(ରାଗ-କେଦାର । ତାଳ-ତ୍ରିପଟା)

 

-ଗୀତକଥା-

ହେ, କ୍ଷମାସାଗର, କରୁଣାନିଧି, ତୁମେ କମଳା କୁଚମର୍ଦ୍ଦନକୁଶଳ ଅଟ ।

୧- ଚରାଚର ବିଶ୍ୱର ମହାଭୀତି ନିବାରକ ତୁମେ । ବେଦ ତମର ପଦ ଯୁଗଳର ବନ୍ଦନା ଘେନି ଧନ୍ୟ ହୋଇଅଛି । ହେ ପୃଥିବୀର ଭାର ହରଣକାରୀ, ଜଗତର ଆଶ୍ରୟ, ଚନ୍ଦ୍ରକିରଣ ପରି ତୁମର ନଖର ଜ୍ୟୋତି ଦେବତାମାନଙ୍କର ମସ୍ତକର ଭୂଷଣ ଅଟେ ।

 

୨- ହେ, ବିଶ୍ୱମ୍ବର, ଦଣ୍ଡେହେଲେ ମୁଁ ତମ ନାମ ସ୍ମରଣ କରୁ ନାହିଁ, ମୁଁ ମହାପାପୀ । ତୁମେ ପ୍ରଭୁ, ମୋର ମଙ୍ଗଳ ମନାସରେ ବାଧା ଦିଅନାହିଁ । ତୁମର ସସ୍ନେହ ଚାହାଣୀ ମୋ ପାପ ନାଶ କରୁ । ହେ ପତିତପାବନ, ମୋ ମନ ସବୁବେଳେ ପାପକଳ୍ପନା କରୁଛି ।

 

୩- ହେ, ମହାବଳୀ ! ପାପୀ ମୁଁ, କ୍ଷମା ପାଇବାର ଅଧିକାର କଦାପି ମୋର ନାହିଁ । ଯମଦଣ୍ଡରୁ କିପରି ରକ୍ଷା ପାଇବି ? ହେ ଚନ୍ଦ୍ର-ବିନିନ୍ଦିତ ବଦନ ! ହେ ଜଗତର ଶ୍ରେଷ୍ଠ ଇନ୍ଦ୍ର-ବିନିନ୍ଦିତ ମୁଖ ! ହେ ଜଗତର ଶ୍ରେଷ୍ଠ ଇନ୍ଦ୍ରମଣି, ହେ ବଳଦେବଙ୍କ ଅନୁଜ ! ହେ ଜନ-ପାପ ବିନାଶକ, ତୁମେ ମହା ସୁକୃତବନ୍ତ ମୁନିମାନଙ୍କ ମନରେ ମୟୂରର ନବଘନ ସ୍ୱରୂପ ଆନନ୍ଦଦାୟକ ଅଟ ।

 

୪- ଜଗତର ମୟା ଜଞ୍ଜାଳରେ ମୁଁ ନିତାନ୍ତ ବ୍ୟତିବ୍ୟସ୍ତ ହୋଇପଡ଼ିଛି, ତୁମେ ମୋର ଏ ଦୁଃଖ ବିମୋଚନ କର । ଏ ଖ୍ୟାତି ପୃଥିବୀରୁ ସୂର୍ଯ୍ୟମଣ୍ଡଳ ପର୍ଯ୍ୟନ୍ତ ବିଖ୍ୟାତ ହେଉ । ହେ ଦେବତାମାନଙ୍କର ମଉଡ଼ମଣି, ହେ ଚକ୍ରଧର ! ମୋର ଏ ବିନୀତ ନିବେଦନ କେବେହେଲେ ବୃଥା ନ ହେଉ ।

ପୃଥିବୀର ରାଜା ଜଗଦ୍ଦେବ ଏ ଗୀତକୁ ସମାପ୍ତି କଲେ ।

 

ଶ୍ଳୋକାଂଶ

ଦଳିତାଞ୍ଜନପୁଞ୍ଜ ମଞ୍ଜୁଳାଙ୍ଗୋ

ଲଳିତାଦ୍ୟମ୍ବୁଜ ଲୋଚନାର୍ଚ୍ଚିତାଂଘ୍ରିଃ

ଫଳିତାମରଭୁରୁହଃ ଶ୍ରିତାନାମ୍ ।

କଳିତାପଂ ଦଳୟତ୍ୱଳଂ କବୀନାମ୍ ।

 

ଲୀଳାବନୀଭରସୁରାହିତବୀରବାରୋ-

ଡ୍‌ଡୀନାଣ୍ଡଜେନ୍ଦ୍ରଚରମାଭରଣଂ ମହୋ ନଃ,

ଚୀନାନିଳାଳ୍ପଚଳଦଞ୍ଚଳ ଚେଳମାଳଂ

ହୀନାଂହସାମସୁମତାଂ ଶରଣଂ ଶରଣ୍ୟମ୍

 

ପୀନାନୁକମ୍ପନରସାମୃତପୂରପୂର୍ଣ୍ଣୋ ।

ଦୀନାସ୍ୟନିଃସୃତତରସ୍ତବସଜ୍ଜକର୍ଣ୍ଣଃ,

ମୀନାଦ୍ୟନେକବିଧରୂପଧରଃ ପରାତ୍ମା

କୀନାଶକିଙ୍କରଭୟାନି ଜରୀହରିତୁ ।

 

ଶ୍ରୀମଦ୍‌ଭ୍ୟାମନ୍ୟୋଽନ୍ୟଲାବଣ୍ୟଲୋଳଲୋଚନାଭ୍ୟାମମ୍ବରାଡମ୍ବରବିଡ଼ମ୍ବିତାମ୍ବୁଧରରୋଚନାଭ୍ୟାଂ କାର୍ତ୍ତସ୍ୱରମସାରସାରସା-ଦୃଶ୍ୟ ପୂର୍ଣ୍ଣବର୍ଣ୍ଣାଭ୍ୟମାର୍ତ୍ତସ୍ୱରାକର୍ଣ୍ଣନଜ୍ଜ କର୍ଣ୍ଣାଭ୍ୟାଂ ରକ୍ତାରବିନ୍ଦସୌନ୍ଦର୍ଯ୍ୟତୁନ୍ଦିଳ ଚରଣାଭ୍ୟାମମାନୁଷାନୁଭାବବିଭବାଭ୍ୟାଂ ଶ୍ରୀରାଧାମାଧବାଭ୍ୟାଂ ନମୋନମଃ ।

ଇତି ଶ୍ରୀ କିଶୋର ଚନ୍ଦ୍ରନନ୍ଦାଖ୍ୟଂ ଚମ୍ପୂକାବ୍ୟଂ ।

ଓଁ ତତ୍ ସତ୍

 

ଅର୍ଥ :-

ଦଳିତ ଅଞ୍ଜନ ସରି

ସୁନ୍ଦର ଯା’ କମ-କଳେବର,

ଚରଣ ବନ୍ଦନ ରତ

ଲଳିତାଦି ସହଚରୀ ବୃନ୍ଦ,

କଳ୍ପତରୁ ସରି ଯେହୁ

ଆଶ୍ରିତ ଜନର,-

ସେହି ଭଗବାନ କୃଷ୍ଣ,

ବିନାଶନ୍ତୁ

କଳିର କଳ୍ମଷ ଯେତେ ।

 

ଅସୁର ବିନାଶି ଯେହୁ

ହରିଛନ୍ତି ହେଳେ ଭବଭାରା,

ପକ୍ଷୀରାଜ ଗଋଡ଼ର

ପୃଷ୍ଠ ଦେଶ ଆଭରଣ ଯେହୁ,

ବସନ ଅଞ୍ଚଳ ପୁଣି

ଗଳବନମାଳା ଯାହାଙ୍କର

ଦୋଳି ଖେଳେ ମନ୍ଦ ସମୀରଣେ;

ପାପ ବିରହିତ ଜନ ଏକାନ୍ତ ଆଶ୍ରୟ

ସେ ବିରାଟ ମହୋଜ୍ଜ୍ୱଳ ତେଜ

ସତତ କରନ୍ତୁ ରକ୍ଷା, ମଙ୍ଗଳ ବିଧାନି ।

 

ଅନନ୍ତ କରୁଣା ଭରା-

ଅମୃତ ରସରେ ପୂର୍ଣ୍ଣ ଯେହୁ,

ଆରତ ଡାକକୁ ଯେହୁ

ଡେରିଥାନ୍ତି କର୍ଣ୍ଣ ନିଶିଦିନ,

ମୀନ ଆଦି ଅବତାରଧାରୀ

ସେହି ପରମ ପୁରୁଷ ହରି,

ହରନ୍ତୁ ସତତ

ଯମ କିଙ୍କରର ଦର ।

 

ଅନ୍ୱେନ୍ୟର ମାଧୁରୀ ନିରେଖି

ନୟନ ଯୁଗଳ ଚଳ ଚଞ୍ଚଳ ଯାହାର,

ଶ୍ରୀଅଙ୍ଗ ବସନ ଯା’ର

ମେଘ ପୁଣି ଗୋରଚନା-

ବର୍ଣ୍ଣ ସରି ଦିଶେ ମନୋହର,

ତନୁ ଶିରୀ-

ସ୍ୱର୍ଣ୍ଣ ଆଉ ଇନ୍ଦ୍ରନୀଳମଣି ସରି ।

 

ଦୁଃଖୀ ଦୁଃଖ ଶ୍ରବଣରେ

ଉତ୍କର୍ଣ୍ଣ ଯେ ସଦା,

ଶ୍ରୀ ଚରଣ ଶୋଭା ଯଥା ରଙ୍ଗ କୋକନଦ

ସେହି ରାଧାମାଧବ ପୟରେ

ନିବେଦନ କରେଁ ନମସ୍କାର ।

ଶ୍ରୀ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂକାବ୍ୟ ସମାପ୍ତ

-ଓଁ ତତ୍ ସତ୍-

 

-ପ୍ରଣିପାତ-

ଅଯୋଗ୍ୟ ଅଧମ ମୁହିଁ

କରଯୋଡ଼ି କରେ ନିବେଦନ !-

ରସିକ ଗୁଣ-ଗ୍ରାହକ ସୁଧୀଜନ ବୃନ୍ଦ,

କର ମୋତେ କ୍ଷମା ।

 

କେଜାଣି କାହିଁକି,

କାହାର ନିର୍ଦ୍ଦେଶେ ଅବା

ଆବାଲ୍ୟରୁ ମତି ମୋର

ନିତି ବିଚାରଇ,

ରାଧାକୃଷ୍ଣ ଚରିତ ବର୍ଣ୍ଣନେ ।

 

ସାଧ୍ୟମତ ପଢ଼ିଛି କେତେ ମୁଁ କାବ୍ୟ

ଜୀବନରେ ମୋର,

କିନ୍ତୁ,

‘କିଶୋରୀ-ଚମ୍ପୂ’ ସମାନ

କେହି ମୋର ଚିତ୍ତେ ନବସଇ ।

 

କଳି ନପାରଇଁ,

ନପାରିଲି, ନପାରିବି ମୁହିଁ

କାରଣ ଏହାର ।

କଳପି ନପାରେଁ ମନେ

କି ଥିଲେ ସେ କବିସୂର୍ଯ୍ୟ-

ଦେବ କି ମାନବ !

 

ଯୋଗଜନ୍ମା ପୁରୁଷ ସେ :-

ସଂଗୀତ ସାହିତ୍ୟ ସୁପଣ୍ଡିତ

ଏକାଧାରେ ଗାୟକ, ଗ୍ରାହକ, କବି,

ରସଜ୍ଞ, ନୋହିଲେ;-

ମଧୁଝରା, ଭାବଭରା ସ୍ୱର-ଧାରା-ସଞ୍ଚା

ଆନେ କି ସମ୍ଭବ କେବେ ?

 

ସେବା ନପାରିଛି କରି

ଜୀବନେ ମୁଁ ସେ ପଦ ଯୁଗଳ;

ତଥାପି ସେ ଇଷ୍ଟ ଗୁରୁ ମୋର ।

ତାଙ୍କରି ଅମର ଲେଖା

କରି ବିଶ୍ଳେଷଣ-

ତାଙ୍କର ଉଚ୍ଛିଷ୍ଟ-କଣା ପାଇ,

ସାର୍ଥକ ହେଉ ଜନମ

ଏତିକି ମୋ ବାଞ୍ଛା ।

 

ଗୁରୁପଦେ

ପୁଣି, ଗୁରୁ ଆରାଧିତ

ରାଧାଗୋବିନ୍ଦ ପୟରେ

ନମି ବାରଂବାର

ଆଶିଷ ମନାସି,

ଚମ୍ପୂର ପ୍ରବେଶ ଲେଖା

ଶେଷକଲି ଆଜି

ଶ୍ରୀ ଗୁଣ୍ଡିଚା ଶୁଭ ଦିବସରେ

କ୍ଷମ ଅପରାଧ ମୋର ଆହେ ଗୁଋଦେବ ।

କ୍ଷମାକର ଶ୍ରୀରାଧା ଗୋବିନ୍ଦ !

ପ୍ରଣାମ ଶ୍ରୀପଦେ ।

 

ଶ୍ରୀଗୁଣ୍ଡିଚା

 

-କାଳୀଚରଣ-

କଟକ-୯।୭।୫୬