୧। ଗଣେଶଙ୍କ ବନ୍ଦନା
୨। ପାଣ୍ତବଙ୍କ ଇନ୍ଦ୍ରପ୍ରସ୍ଥେ ପ୍ରବେଶ, ଧୃତରାଷ୍ଟ୍ର ସଞ୍ଜୟ ସମ୍ବାଦ ଓ ଧୌମ୍ୟ ପୁରୋହିତଙ୍କର ଦୂତପଣେ ହସ୍ତିନା ଗମନ
୩। ଯୁଧିଷ୍ଠିରଙ୍କ ସମର ପ୍ରତିଜ୍ଞା-ଧୃତରାଷ୍ଟ୍ର, ଭୂରିସର୍ବା, ଧୌମ୍ୟ ଓ ବିଦୁରଙ୍କର ଦୁର୍ଯୋଧନକୁ ପଞ୍ଚପଡ଼ା ପ୍ରାର୍ଥନା ଏବଂ ବିଦୁରଙ୍କୁ ଯୁଧିଷ୍ଠିରଙ୍କ ନିକଟକୁ ପ୍ରେରଣ
୪। ଶ୍ରୀକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାରିକା ଗମନ ଓ ତାହାଙ୍କୁ ଘେନି ପ୍ରତ୍ୟାବର୍ତ୍ତନ
୫। ଉତ୍ତରାବାଳୀର ରଜୋବତୀ ହେବା ସମ୍ଵାଦ ଓ ରଜକୋଷ୍ଠି ବିବରଣ
୬। ସୁଦେଷ୍ଣା ପାଟ ମହାଦେଈଙ୍କର ଯୁଦ୍ଧ ସମ୍ୱନ୍ଧରେ ଭବିଷ୍ୟତ ବାଣୀ ବର୍ଣ୍ଣନ ଓ ବିଶ୍ୱଦେବଙ୍କୁ ବିଶ୍ୱାମିତ୍ରଙ୍କର ଶାପ
୭। କବଚ କୁଣ୍ଡଳ ଅର୍ଥେ ବ୍ରାହ୍ମଣ ରୂପରେ ଇନ୍ଦ୍ରଙ୍କର କର୍ଣ୍ଣକୁ ଛଳନା ତଥା ବରଦାନ ଓ ଶ୍ରୀକୃଷ୍ଣଙ୍କ ସ୍ୱର୍ଗ ଗମନ
୮। ପଞ୍ଚପାଣ୍ତବଙ୍କର ସମର ପ୍ରତିଜ୍ଞା, ଦୂତପଣେ ଶ୍ରୀକୃଷ୍ଣଙ୍କର ହସ୍ତିନା ଗମନ ଓ ବ୍ୟାସାଦି ମୁନିଙ୍କର ସହ ବିଦୁର ଗୃହେ ବିଶ୍ରାମ
୯। ଶ୍ରୀକୃଷ୍ଣଙ୍କର ବିଦୁର ମନ୍ଦିରରେ ଅବସ୍ଥିତି ଓ ବିଦୁରଙ୍କୁ ବରଦାନ
୧୦। କୁନ୍ତୀ ଓ ଶ୍ରୀକୃଷ୍ଣ କଥୋପକଥନ, ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ନିକଟେ ପ୍ରବେଶ ଏବଂ ଅନ୍ଧ ବ୍ରାହ୍ମଣର
ଚକ୍ଷୁଦାନ ବିବରଣ
୧୧। ଶ୍ରୀକୃଷ୍ଣ ପ୍ରଥମଥର କୁରୁସଭାକୁ ଗମନ ଏବଂ ଅପମାନ ଓ ବଳିରାଜାର ଉପାଖ୍ୟାନ
୧୨। ଦୁର୍ଯ୍ୟୋଧନ ଦୁଇଖଣ୍ଡ ପଡ଼ା ଦେବା ନିମନ୍ତେ ଭୀଷ୍ମଙ୍କଠାରେ ଇଚ୍ଛା ପ୍ରକାଶ ଓ ଶକୁନିର ଅମତ ଏବଂ ବାବନା ଭୂତର ବିବରଣ
୧୩। କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟଥର ଗମନ, ଭୟଙ୍କର ଅପମାନ ଓ ନରସିଂହ ରୂପ ଧାରଣ
୧୪। କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ତୃତୀୟ ଥର ଗମନ ଓ ଅପମାନ ଏବଂ ମହାଲକ୍ଷ୍ମୀଙ୍କ ସହିତ ଦ୍ଵାରକା ଗମନ
୧୫। ମହାଲକ୍ଷ୍ମୀଙ୍କୁ ଆଣିବା ନିମନ୍ତେ ଦୁର୍ଯ୍ୟୋଧନ ଶକୁନିଙ୍କ ଦ୍ୱାରିକା ଗମନ ଓ ଶ୍ରୀକୃଷ୍ଣ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାରିକା ଯାତ୍ରା
୧୬ । ପଞ୍ଚଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥେ ଆଗମନ, କୁରୁକ୍ଷେତ୍ର ବଣ୍ଟନ ନିମନ୍ତେ ଶକୁନିର ଯୁଧିଷ୍ଠିରଙ୍କ ନିକଟେ
ପ୍ରବେଶ ଓ ଅଳସୁଆ ବିବରଣ, .
୧୭। କୁରୁକ୍ଷେତ୍ରରେ ଶୁଭସ୍ତମ୍ଭ ସ୍ଥାପନ, ତହିଂ ମଧ୍ୟସ୍ଥ ପୁରୁଷ ଏବଂ ପୂର୍ଣ୍ଣ ପ୍ରଳୟ ଓ ଦେବନାଶନ ବଟ ପ୍ରଭୃତିର ବିବରଣ
୧୮। ଭାରତୀୟ ରାଜାମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରଣ .
୧୯। କୁରୁପାଣ୍ଡବଙ୍କର ସୈନ୍ୟସଂଖ୍ୟା ଓ ଶ୍ରୀକୃଷ୍ଣଙ୍କ ଦ୍ୱାରା ବେଲାଳସେନ ମସ୍ତକ ଚ୍ଛେଦନ ଓ ଶୁଭସ୍ତମ୍ଭ ସ୍ଥାପନ ଏବଂ ପାଣ୍ଡବମାନଙ୍କ ଛନ୍ନତା
୨୦। ଭାରଦାର ଭାରତର ଭବିଷ୍ୟତ ବାଣୀ କଥନ
୨୧। ଭାରଦାର ପୂର୍ବଜନ୍ମ ବିବରଣ
୨୨। ଆତାପି ବାତାପି ଉପାଖ୍ୟାନ ଏବଂ ସିଂହମୁଖା ଶୃଗାଳର ଭବିଷ୍ୟତ ବାଣୀ
୨୩। ତୁଳସୀବଣ ବାଘ ଓ ତୁଳାମୁହାଁ କାଂକର ବିବରଣ
୨୪। ବୀର ହନୁମାନଙ୍କୁ ଆମନ୍ତ୍ରଣ ନିମନ୍ତେ ଭୀମସେନଙ୍କର ଗମନ ଓ ଅପମାନ
୨୫। କର୍ଣ୍ଣକୁ ଆଣିବା ନିମନ୍ତେ କୁନ୍ତୀଙ୍କର ଗମନ ଏବଂ ନୀଳବାଣ ଭୁଜବାଣ ଦକ୍ଷିଣା ସ୍ୱରୂପେ ଆନୟନ
୨୬। କଳ୍ପାସୁର ସହିତ କର୍ଣ୍ଣର ଯୁଦ୍ଧ, ନୀଳବାଣ ଓ ଭୁଜବାଣର ଉତ୍ପତ୍ତି
୨୭। ଶଙ୍ଖାସୁରଠାରୁ ବେଦ ଉଦ୍ଧାର ଓ ସ୍ତୋତ୍ର
ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେବତା
ମଙ୍ଗଳା ବିଘ୍ନରାଜ ଭୂତ ଭବିଷ୍ୟ ଗ୍ୟାଂତା ।୧।
ମଙ୍ଗଳ ସଦାନନ୍ଦ ଦେବ ଲମ୍ବୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।
ମଙ୍ଗଳ ପରମବ୍ରହ୍ମ ସ୍ଵରୂପ ବୀଣାୟେକ
ପାଶ ଅଙ୍କୁଶ ଗଜବଦନ ଅଟ ତ୍ରିୟମ୍ବକ ।୩।
ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ବେନିଆଖି
ଅବନିଳେ ଚାହିଂଲେ ତୁ ଯେ କୋଟି ବ୍ରହ୍ମଣ୍ଡ ଦେଖି ।୪।
ଡିବି ଡିବି ବଜାଇ ଯାହାର ଡାକି ଡମ୍ବରୁ
ହୃଦେ ପଇତା ଯାହାନ୍ତ ଅନନ୍ତ ନାଗ ଫେରୁ ।୫।
ସ୍ଵାମୀ ତ୍ରିପୁର ବଧଗଲା ଯାହାର ବୁଦ୍ଧିବଳେ
ବିନୟେ ଅନୁବ୍ରତେ ନାଥ ମୁଂ ତୁମ୍ଭର ପାଦତଳେ ।୬।
ଲାଙ୍ଗଟ ଭ୍ରୁଙ୍ଗଟ ଯେ ବିକଟ ବକ୍ରନାଟେ
ମହାଭୈରବ ତାଣ୍ଡବ ଆରୋପଣ ସଂକୋଟେ ।୭।
ଶ୍ରୀ ବିଘ୍ନରାଜ ଶ୍ରୀଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଂ ରହୁ ଯେ ଭ୍ରସଳେ ।୮।
ବ୍ୟାସଂକର ସ୍ରିଜନେ ଦେବ ପ୍ରସନ୍ନ ବିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।
ୟେ ସଂସାର ମଧ୍ୟେ ମୁହିଂ ସେ ଦେଖିଲି ସରୂପ
ତୁହି ସେ ହରନ୍ତା ଦେବ କଳିକାଳ ଦର୍ପ ।୧୦।
କଳିକାଳ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ବିବାଦେଣ ତୁ କାଳଦର୍ପ ଭାଞ୍ଜି ।୧୧।
ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୂଦ୍ରମୁନି ସାରୋଳ ଦାସ ତଲୟେ ଅଭ୍ୟାସି ।୧୨।
***************
ଶୁଣ ହୋ ଚଇତନ ଶ୍ରୀ ମହାଭାରଥ ଉଦିଯୋଗ ପର୍ବ କଥା
ଯାହା ହେତୁ କରିପାରିଲେ ସଭାୟେ ହୋଇବ ବକତା ।୧।
ଯେବଣ ଗ୍ରନ୍ଥ ଶୁଣିଲେ ଅଧାର୍ମିକହିଂ ହୋୟେ ଭିଗ୍ୟଂ
ଯାହା ଶୁଣିଲେଟି ପ୍ରାଣୀ ହୁଅନ୍ତି ସର୍ବଗ୍ୟଂ ।୨।
ଉଦିଯୋଗ ପର୍ବ କଥା ହୃଦଗତେ ଲୟେ କଲେ
ଶାହାସ୍ରକୁ ଜିତା ହୋଇ ୟେହା ଉନ୍ୟେଷି ପାରିଲେ ।୩।
ଉଦିଯୋଗ ପଢିଲେ ଦୃଶ ହୋଅଇ ବୁଦ୍ଧି
ଉଦିଯୋଗ ପଢିଲେ ପ୍ରାପତ ହୋଅଇ ଋଦ୍ଧି ସିଦ୍ଧି ।୪।
ଉଦିଯୋଗ ବୋଲିଣ ଯେବଣ ଗ୍ରନ୍ଥ ପର୍ବ
ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ୟେଥୁଂ ସର୍ବ ।୫।
ଚଉବର୍ଗ ସମ୍ପଦ ଯେ ପ୍ରାପତ ବ୍ରହ୍ମଗ୍ୟାନ
ଆଷ୍ୟ ଧନ ସନ୍ତାନ ହୋଇ ବର୍ଦ୍ଧମାନ ।୬।
ଯାହା ସେ ସ୍ରିଜନା କଲେକ ଅଗସ୍ତି
ମୁହିଂ ତାହା ବଞ୍ଚାଇଲି ବିଚିତ୍ର ଶୁଦ୍ଧି ପୋଥି ।୭।
ଉଦିଯୋଗ ପର୍ବ ଶୁଣିମା ନରେ ବାଣୀ
ସୁବୁଦ୍ଧି ପଣ୍ଡିତ ସୁଗ୍ୟଂ ହୋଇବ ୟେହା ଶୁଣି ।୮।
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି
ୟେଥୁ ଅନନ୍ତରେ ହୋଇଲା ଯିସ ରୀତି ।୯।
ଶୁଭଯୋଗେ ପାଣ୍ଡବେ ବାହାର ମତ୍ସ୍ୟଦେଶୁଂ
ଆକାଶେ ମଙ୍ଗଳ ଧୁନି ଶୁଭଇ ପାଣ୍ଡବଂକର ଆସୁଂ ।୧୦।
ବିରାଟ ଆଗିଆଣି ସମଦଣ୍ଡ ଘେନି
ପଛେଣ ପଞ୍ଚାଳ କୁମାରନ୍ତ ଘେନି ଶ୍ରୀଖଣ୍ଡୀ ଭ୍ରାଥ ବେନି ।୧୧।
ଶ୍ରୀକୃଷ୍ଣା ଦ୍ରୌପତୀ ଯେ କୋଳ ସମ୍ଭାଷଣେ
ପାଞ୍ଚାଳୀକି ପ୍ରବୋଧିଲେ ବହୁତ ସନମାନେ ।୧୨।
ଗୋପାଳୀ ନଦୀକୂଳେ ବିରାଟ ପ୍ରବୋଧି
ଅନେକ ବିନୋୟୀ ହୋଇଲେ ବିରାଟ ଯଥାବିଧି ।୧୩।
ଯୁଝେଷ୍ଠି ଦେବେ ଯେ ପ୍ରବୋଧି ବଚନ ପ୍ରକାଶି
ବାହୁଡ ଦେବେ ତୁ ପରମ କଲ୍ୟାଣ ହୋଅସି ।୧୪।
ବିରାଟ ପ୍ରଣପତ୍ୟ ଯେ ଯୁଝେଷ୍ଠିଂକ ପଦ୍ମପାୟେ
ମୁହିଂ ଯାଇଂ କିନା ସ୍ଵାମୀ ଇନ୍ଦ୍ରପ୍ରଶସ୍ତ ଯାୟେ ।୧୫।
ଯୁଝେଷ୍ଠି ବୋଇଲେ ହୋ ଦଣ୍ଡ ଘେନିଗଲେ
ମାନଗୋବିନ୍ଦ କୋପ କରିବନା ପରଥାଠ ଦେଖିଲେ ।୧୬।
ସହୋଦ୍ରଂକ ନିମନ୍ତେ କାଳକ ବୁଲିଲି ଘୋର ବନେ
ଆବର କିମ୍ପେ ଧର୍ମ ଲଂଘିବି ଅଳପ ଯେ ଦିନେ ।୧୭।
ଶାନ୍ତି ସମାର୍ଜନେ ଆମ୍ଭେ ନ କରିବା କଳି
ଅଷ୍ଟ ଅବଧାନେ ଯେ ଶତ୍ରୁକୁ ସମ୍ଭାଳି ।୧୮।
ବିରାଟ ଶ୍ରୀଖଣ୍ଡୀ ଯେ ବାହୁଡ଼ିଲେ ସନ୍ୟ ଘେନି
ତହୁଂ ସେ ପାଣ୍ଡବେ ଚଳିଲେ ଦିବସ ରଜନୀ ।୧୯।
ପାଞ୍ଚତିରିଶ ଦିବସେ ପ୍ରବେଶ ଇନ୍ଦ୍ରପଶସ୍ତେ
ନଗ୍ର ଭିତରେ ଯାଇ ହୋଇଲେ ପଞ୍ଚୁ ଭ୍ରାଥେ ।୨୦।
ଭୀମସେନ ବୋଇଲା ଦେବ ଯିବାନା ଆସ୍ତାନକୁ
ଦେଖିବା ନାହିଂ କି ଦ୍ରିଯୋଧନ ଧୁଶାସନ ଭୀଷ୍ମ ଦ୍ରୋଣ କର୍ଣ୍ଣଂକୁ ।୨୧।
ଯୁଝେଷ୍ଠି ଦେବେ ବୋଇଲେ ଜାଣିମା ତଦନ୍ତ
ବାରତା ପାଇ ମାନଗୋବିନ୍ଦ ନିଅଇ କିନା ଆମ୍ଭନ୍ତ ।୨୨।
ବିଜୟେ ମାନଗୋବିନ୍ଦ ସମ୍ଭର୍ବ ଆସ୍ତାନେ
ବାରତା ଜଣାଇଲେ ଯାଇଂ ଦେଶାଉରମାନେ ।୨୩।
ସ୍ଵାମୀ ପାଣ୍ଡବ ଆଗତ ବୋଲି ଜଣାଇଲେ ହରଷେ
ଇନ୍ଦ୍ରପ୍ରଶସ୍ତ ରାଜ୍ୟେ ଆସି ହୋଇଲେ ପରବେଶେ ।୨୪।
ଚାରଗଣ ମୁଖୁଂ ୟେସନକ ବାକ୍ୟ ଶୁଣି
ଶୁକୁନି ପ୍ରତିବାକ୍ୟ ଦିଅଇ ହାଦେ ପୁଣି ।୨୫।
ପାଣ୍ଡବେ ଯେବେ ପ୍ରବେଶ ହୋଇଲେ ଇନ୍ଦ୍ରପ୍ରଶସ୍ତେ
ରଥ ଗଜ ଅଶ୍ଵ ପାଦାନ୍ତି ଅଛନ୍ତି ସଙ୍ଗେ କେତେ ।୨୬।
ଡଗର ପ୍ରତିବାକ୍ୟ ଦେବ ସାବଧାନ ଭବତୁ
ବିରାଟ ଦଣ୍ଡ ଘେନି ବାହୁଡ଼ି ଗଲା ଧର୍ମପଥୁଂ ।୨୭।
ପାଣ୍ଡବ ପାଞ୍ଚଜଣ କୁମାର ଅଭିମନ୍ୟୁ
ପାଞ୍ଚାଳ କୁମାର ତୁଲେ ବାଳୁତ ଯେ ତନୁ ।୨୮।
ଦ୍ରୌପତୀ ସୁଭଦ୍ରା ଯେ ଆବର ଉତ୍ତରାବଳୀ
ୟେତେକ ତୁଲେ ଦେଖିଲୁ ଆନ ନାହିଂ ଅଗୁଳି ।୨୯।
ସଞ୍ଜୟେ କହିଲେ ଧୃତରାଷ୍ଟଂକ ଆଗରେ
ପାଣ୍ଡବେ ପ୍ରବେଶ ହୋଇଲେ ଇନ୍ଦ୍ରପ୍ରସ୍ତ ନବରେ ।୩୦।
ଧୃତରାଷ୍ଟ ବୋଇଲେ ହୋ କରିବା କେମନ୍ତ
ଭୋ ଦଇବ ପୁରୁଷ ମୋତେ ହୋଇବା ଉପଗତ ।୩୧।
ଦ୍ରିଯୋଧନ କଣ୍ଠେ ବିଜେକରୁ କିନା ସରସ୍ଵତୀ
ପାଣ୍ଡବେ କୌରବେ ଯେହ୍ନେ ହୋଅନ୍ତି ପୀରତି ।୩୨।
ସଞ୍ଜୟେ ବୋଇଲେ ରାଜା ନ କର ବିଳାପ
ଧର୍ମ ଅବଶେଷେ ଆସି ଅର୍ଦ୍ଧୁତ ହୋଇଲା କି ପ୍ରାପ ।୩୩।
ଯୁଝେଷ୍ଠି ହୃଦଗତେ ନାହିଂନା ଅନୀତି
ସର୍ବେ ମନ୍ଦ ଅଟନ୍ତି ନା ତୋହୋର ସନ୍ତତି ।୩୪।
ଯୁଝେଷ୍ଠି ହୃଦଗତେ ଯେବେ ଭାବିବ ଅନୀତି
ଆବର କୁରୁ ପାଣ୍ଡବେ କାହିଂ ଲୋଡୁ ପୀରତି ।୩୫।
ଧୃତରାଷ୍ଟ୍ର ବୋଲନ୍ତି ଶୁଣ ହୋ ସଞ୍ଜୟେ
ମନୁକାଳ ବଞ୍ଚାଇଲେ ବଶିଷ୍ଠଂକ ଶତପୋୟେ ।୩୬।
ବିଶ୍ଵାବସୁ ଗନ୍ଧର୍ବେ ଯେ ପୂର୍ବେ ବସିଥିଲେ ସ୍ଵର୍ଗେ
ଭୁବିଗତ ହୋଇଲେ ସେ ଦୃଭାସାଂକ ରାଗେ ।୩୭।
ମହୀତଳେ ରାଜ୍ୟ ସେ କଲେକ ୟେକମନୁ
କାଳେ ଉତପତ୍ତି ହୋଇଲେ ଶତେ ଅଷ୍ଟଉତ୍ତର ତନୁ ।୩୮।
ଗତ ଶାପ୍ୟ ପାଇଂ ସେ ଦୃଭାସାଂକୁ ତପକଲେ
ପିତାକଇଂ ଘେନିଣ ସେ ସ୍ଵର୍ଗରେ ବସିଲେ ।୩୯।
ଭୋ ସଞ୍ଜୟେ ୟେସନେକ ପାତକ କଲଇ ମୁହିଂ କାହୁଂ
ଅନମୁତେ କୋପକଲି ବିଦୁର ପରମାର୍ଥ କହୁଂ କହୁଂ ।୪୦।
ସାଧୁ ସାଧୁ ବିଦୁର ହୋ ତୋହୋର ଜୀବତି
ବୋଇଲୁ କୁଟୁମ୍ବ ବର୍ଦ୍ଧୁତେ ତୋତେ ଶୋକ ଅପ୍ରମିତି ।୪୧।
ଶୁଣିଣ କୋପେ ମୁଂ ତୋତେ ପ୍ରାହାର କଲଇଂ ପାଦେ
ୟେତେ ବଡ଼ ବଂଶ ମୋର ବୁଡ଼ିଲା ମାନଗୋବିନ୍ଦ ପରସାଦେ ।୪୨।
ସଞ୍ଜୟେ ବୋଇଲା ରାୟେ ବିସ୍ତାର ନ କରନି ୟେହୁ କଥା
ଅପାଦ ଚିନ୍ତିଲେ ମଙ୍ଗଳ ନୋହଇ ସର୍ବସ୍ତା ।୪୩।
ଆପଣେ ଯାହା ଅର୍ଜି ତାହା କର୍ମ ବୋଲି
ଅନୀତି ସଂସାରେ ୟେହା ପ୍ରତକ୍ଷେ ଦେଖିଲି ।୪୪।
ଆହୋ ବଇବସୁତ ମନୁ ପାଣ୍ଡବେ ବିଜେ କରିଅଛନ୍ତି ଇନ୍ଦ୍ରପ୍ରଶସ୍ତେ
ଲକ୍ଷେ ଦ୍ଵିଜ ଘେନିଣ ବିଜେ ଧଉମ୍ୟ ପୁରୋହିତେ ।୪୫।
ଧର୍ମର ନନ୍ଦନ ଯେ ମହାଗୁରୁ ଦେଖି
ଉଠିଲେ ପାଣ୍ଡବେ ବେଗେଂ ଆସ୍ତାନେ ଉପେକ୍ଷି ।୪୬।
ପାଦ ଅର୍ଘ୍ୟ ଦେଇଣ ଯେ ଚରଣେ କଲେ ଦିବ୍ୟପୂଜା
ସମସ୍ତ କୁଶଳ ଯେ ପୁଚ୍ଛନ୍ତି ଧର୍ମରାଜା ।୪୭।
କନକ ଉତୁରୀ ପଇତା ଦିଲେକ ନେଇ କନ୍ଧେ
ଯୁଝେଷ୍ଠି ବୋଇଲେ ଦୁର୍ଗତି ବଞ୍ଚିଲୁ ତୋହୋର ପ୍ରସାଦେ ।୪୮।
କନକ ଆସନ ଦିଲେକ ଧର୍ମରାୟେ
ସମସ୍ତ କୁଶଳ ପଚାରନ୍ତି ଧଉମ୍ୟ ଯେ ପଣ୍ଡାୟେ ।୪୯।
ଧଉମ୍ୟ ପୁରୋହିତେ ବୋଇଲେ ପୁଛୁଂ ଆମ୍ଭେ ତୁକୁ
ଭାଇନ୍ତ ଘେନି ଯିବୁନା ହସ୍ତିନା ସଭାକୁ ।୫୦।
ଯୁଝେଷ୍ଠି ଦେବେ ବୋଇଲେ ଯେ କଥା ନ ମିଳଇ ଯୁଗତେ
ମୁହିଂ ଅନେକ ଦୁର୍ଗତି ବଞ୍ଚିଲି ବନସ୍ତେ ।୫୧।
ସେ ମୋହୋର ସୋଦର କରିବା ମୋତେ ଚିନ୍ତା
ବାରତା ପାଇ ମାନଗୋବିନ୍ଦ ଯେବେ ଆମ୍ଭନ୍ତ ନିଅନ୍ତା ।୫୨।
ତେବେ ସେ ଜାଣନ୍ତି ନା ତାହାର ନିକଳଂକ ହିୟା
ପାପ ବୁଦ୍ଧି ଆଚରଣ କଲାକ କୁରୁନାହା ।୫୩।
ଅପୋଷକ ସୋଦର ଅଭଗତ ବାଳ
ଅନାଚାରୀ ଭାରିଯା ପାପକ୍ଷୟ କାଳ ।୫୪।
ଅଭାବୀ ମଇତ୍ର କଳହକାରୀ ସୁପକାର
ବିବାଦୀ ବଇରି ଭୂମି ଅସହର ।୫୫।
କାଳରୁଦ୍ର ଦେବତା ତୀର୍ଥ ଅସୁରଭୋଗୀ
ପଣ୍ଡିତ ଲୋକେ ୟେହା ଦୂରହିଂ ପରିତ୍ୟାଗି ।୫୬।
ପୁରୋହିତେ ବୋଇଲେ ପଣ୍ଡୁ ଧୃତରାଷ୍ଟ
ୟେକ ପିତାଉଂ ଜନମ ସୋଦର ତୁମ୍ଭେ ବେନି ଅଟ ।୫୭।
ନୀର କ୍ଷୀର ଯେହ୍ନେ ହୋଅଇ ଯେ ଅଭେଦ
ପରମେଷି ପାରିଲେ ୟେହା ହୋଇ ନା ପରମାଦ ।୫୮।
ବିଶେଷେ କନିଷ୍ଠ ସେ ଆବର ବୟସେ ମତ୍ତଗର୍ବ
ତାହାର ଯେତେକ ଦୋଷ ଉପେକ୍ଷା କରିବାକ ସର୍ବ ।୫୯।
ଯୁଝେଷ୍ଠି ବୋଇଲେ ତାତ ସେ ସହୋଦ୍ର ପୋଡୁ ପୋଡୁ
ଭୁଞ୍ଜାଇ ବସାଇ ଭୀମାକୁ ଖୁଆଇଲେ ବିଷଲଡ଼ୁ ।୬୦।
ଭୋଜନ ଶେଷେ ବିଷ ଘାରିଲା ଯେତେବେଳେ
ରାତ୍ରକାଳେ ବାନ୍ଧିକରି ମେଲିଲେ ଅଗାଧ ଜଳେ ।୬୧।
ଜଦୁର ଘରେ ଭିଆଇଲେ ବାରୁଣାବନ୍ତେ କୂଟେ
ଜଉ ସଜଳସ ଗୁଆଘୃତ ଆବର ଛଣପଟେ ।୬୨।
ନିଶାକାଳେ ପୁଣି ସେ ଦିଲେକ ଘରପୋଡ଼ି
ଧର୍ମର ବଳେ ସିନା ଗଲୁ ତହିଂ ସେ ଉବୁରି ।୬୩।
ପୁଣି କପଟ ପାଶାୟେ ଭିଆଇଲେ ମହାମନ୍ତ୍ରୀ ଶକୁନି
କୂଟ ଉପାୟେ କରି ସେ ମୋହୋର ସମସ୍ତ ରାଜ୍ୟଭାର ଘେନି ।୬୪।
ଆପଣେ ଆସ୍ତାନେ ବସି ଆମ୍ଭନ୍ତ ବସାଇଲେ ସଭାତଳେ
ଧୁଶାସନ ଧରିଅଛି ଦ୍ରୌପତୀର ବାଳେ ।୬୫।
ଆବର ଧରିଣ ବିବସନ କଲେ ସତୀ
ଧର୍ମର ବଳେ ସେ ଉବୁରିଲା ଦ୍ରୌପତୀ ।୬୬।
ଘୋଷଯାତ୍ରା କାଳେ ସେ କଇମେକ ନାମେ ବନେ
ଅତିହିଂ ଝିଂଘାସ ସହି ନୁଆରିଲେ ଦେବଗଣେ ।୬୭।
ଚିତ୍ରସେନ ଗନ୍ଧର୍ବ ଦ୍ରିଯୋଧନକୁ ବାନ୍ଧିନେଲା ରାଗେ
ସେ ଗନ୍ଧର୍ବକୁ ଜିଣିଲା ଅର୍ଜୁନ ରଙ୍ଗରଣେ ।୬୮।
ପାଞ୍ଚାଳ କଟକେ ଯାଇଂ କଲେକ ଯେବଣହିଂ କଥା
ତୁମ୍ଭେ କି ପାଇ ଅଛନା ତହିଂର ବାରତା ।୬୯।
ବନସ୍ତୁଂ ଦ୍ରୌପତୀଂକି ହରି ନେଉଥିଲା ବେଳେ
କେତେହେଂ ଦୁରାପଦ ଯେ ସହିବା ସର୍ବକାଳେ ।୭୦।
ବିପତ୍ତି ପଡ଼ଇ ସେ ଧର୍ମକଥା କହୁଂ କହୁଂ
ବେଦ ଶାହାସ୍ର ଆବର ସତ ହୋଉଅଛି କାହୁଂ ।୭୧।
ରାଜକୁଳେ ଜାତ ହୋଇ ମୋହୋର ୟେହେନେକ ଅବସ୍ତା
କୁରୁ ପାଣ୍ଡବେ ପୀରତି ଆଉ ନୋହିବ ସର୍ବସ୍ତା ।୭୨।
ଆଦିତ୍ୟ ଦେବତା ଯେବେ ପଛିମେ ହୋଇ ଉଦେ
ପୂର୍ବେ ଅସ୍ତ ଯେବେ ନୋହିବେ ଅବଦେ ।୭୩।
ଚନ୍ଦ୍ର ନଷ୍ଟ ଯେବେ ହୋଇବେ ପଉର୍ଣ୍ଣମୀ
ଜଳ ପ୍ରଳୟ ଯେବେ ନଶିବ ସର୍ବଭୂମି ।୭୪।
ଧାତୁବାଦ ପୁରୁଷ ଯେବେ ନ କରିବେକ ବୃଷ୍ଟି
ପର୍ବତ ଉପରେ ଯେବେ ନଳିନୀଦଳ ଫୁଟି ।୭୫।
ଜଳ ଭିତରେ ଯେବେ ଉପୁଚିଆଇବ ଶିଳ
ସୋଲ ଭେଳା ଯେବେ ବୁଡିବାକ ଜଳ ।୭୬।
ସ୍ତୀରୀ ହୋଇବ ପୁରୁଷ, ଦିବସ ହୋଇବ ରାତି
ଜଳ ଯେବ ତପତ ହୋଇବ ଶୀତଳ ହୋଇବ ବହତି ।୭୭।
ଆହୋ ପ୍ରୋହିତେ ହଟକର୍ମ ପୁରାଣେ ୟେହା ଅଷ୍ଟାବକ୍ର ମୁନି କହି
ୟେତେ ବାଗେ ହୋଇଲେ ଯୁଝେଷ୍ଠି ଦେବ ୟେହା କି ସହଇ ।୭୮।
ମୋହୋର ବେଳେ ଯେବେ ୟେହା ମୁଂ ସହି ପାରଇ
ନିରଞ୍ଜନ ଦେବତା ଥାଳରେ ବିଷ ମୁଂ ଭରଇ ।୭୯।
ଶିବଦ୍ରୋହ କରଇ ଅଲଂଘିତ ନିୟମ
ନିଚୟେ ସଂକଳ୍ପ ମୋହୋର ହୋଇଲା ସାଂଗ୍ରାମ ।୮୦।
ପୁରୋହିତେ ବୋଇଲେ କାଳଭ୍ରଷ୍ଟ ହୋଇଲା
ସହଦେବ ବୋଇଲେ ପ୍ରୋହିତେ କଳି ପ୍ରବର୍ତ୍ତିଲା ।୮୧।
ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ପ୍ରୋହିତେ
ହସ୍ତିନା ଯିବ ତୁମ୍ଭେ ଆମ୍ଭର ନିମନ୍ତେ ।୮୨।
ସମ୍ପଦ ମୋର ମାଡ଼ି ବସିଲା କୁରୁପତି
ଅବିଚାର ପୁରୁଷେ ମୋତେ କରାଇଲେ ଅପ୍ରୀତି ।୮୩।
ଧୃତିରାଷ୍ଟ ଅଗ୍ରତେ କହିବ ତୁମ୍ଭେ ଯାଇଂ
ଇନ୍ଦ୍ରପ୍ରଶସ୍ତ ରାଜ୍ୟ ଖଣ୍ଡି ମୋତେ ଦେଉ କୁରୁସାଇଂ ।୮୪।
ତୁମ୍ଭେ ତ ପୁରୋହିତେ ମୋର ବଂଶର ପରମ ଗୁରୁ
ମଣାଇଂ କହିବ ମୋତେ ଧୃତରାଷ୍ଟ ଦୟାକରୁ ।୮୫।
ପୁରୋହିତେ ବୋଇଲେ ଆମ୍ଭେ ଯିବୁଂ ତୋହୋର ବୋଲେ
କିସ ଉତ୍ତର କରିବୁଂ ଆମ୍ଭେ ମାନଗୋବିନ୍ଦ ନାସ୍ତିକଲେ ।୮୬।
ଯୁଝେଷ୍ଠି ବୋଇଲେ ତୁମ୍ଭେ କରିବଟି କିସ
ସେ ନାସ୍ତି ବୋଇଲେ ତୁମ୍ଭେ ବାହୁଡ଼ିଣ ଆସ ।୮୭।
ବିଜେକର୍ଣ୍ଣକୁଣ୍ଡଳ ମେରୁଶୂଳ ଦିଲା ମୁକୁ
ୟେ ଅପୂର୍ବ ପଦାର୍ଥ ନେଇ ଦିଅ ଧୃତରାଷ୍ଟଂକୁ ।୮୮।
ଯୁଝେଷ୍ଠି ଦେବଂକ ନିରାଧାର ବାକ୍ୟ ଶୁଣି
ଚଳିଲେ ପୁରୋହିତେ ଯେ ଦୂତକାର ଜାଣି ।୮୯।
ତୁଲେଣ ଘେନିଲେ ତାଂକର ଲକ୍ଷେକ ବାଳଶିଷି
ହସ୍ତିନା ରାଜ୍ୟେ ପୁରୋହିତେ ପ୍ରବେଶ ହୋଇଲେ ଆସି ।୯୦।
ଦ୍ରିଯୋଧନ ବିଜେ କରିଛି ଯମ ଯେ ପ୍ରଶସ୍ତେ
କର୍ଣ୍ଣ ଶଂକୁନି ଧୁଶାସନ ଶଲ୍ୟ ଯେ ସହିତେ ।୯୧।
ପୁରୋହିତେ ପ୍ରବେଶ ଯାଇଂ ହୋଇଲେ ସନ୍ନିଧାନେ
ଦୂରୁଂ ଦେଖି ଶଂକୁନି କହିଲା ବିଦ୍ୟମାନେ ।୯୨।
ବୋଇଲା ଧଉମ୍ୟ ପୁରୋହିତେ ଆସୁଛନ୍ତି ଯହିଂକି
କେ କେମନ୍ତ ୟେହା ଯେ ବିଚାରନି ଦେଖି ।୯୩।
କର୍ଣ୍ଣ ବୋଇଲା ତୁ ସେ ପଣ୍ତିତ ମହାଗ୍ୟାଂତା
ଶୂରବନ୍ତ ପୁରୁଷ ତୁ ଭୂତ ଭବିଷ୍ୟ ଜାଣନ୍ତା ।୯୪।
କର୍ଣ୍ଣ ବୋଇଲା ତୁ ସେ ମନ୍ତ୍ରୀ ଚୂଡାମଣି
ମାନଗୋବିନ୍ଦେ ତୁ ସମ୍ପଦ ଭୋଗ୍ୟ କରାଇଲୁ ଆଣି ।୯୫।
ପାଣ୍ଡବଂକ ଦର୍ପ ମର୍ଦ୍ଦିଲୁ ତୋହୋର ବୁଦ୍ଧିବଳେ
ପଞ୍ଚୁରାଜ୍ୟ ଭୋଗ୍ୟ କରାଇଲୁ କୁତୂହୋଳେ ।୯୬।
ଆହୋ ଆଗୋଚର ଗୋଚର ତୁ ଭବିଷ୍ୟତ ଗ୍ୟାଂତା
ଅଦୃଶ୍ୟ ଦୃଶ୍ୟହିଂ ସେ କଥା ବିଚାରନ୍ତା ।୯୬।
ଶଂକୁନି ବୋଇଲା ତୁ ବୁଝ ଉପନେସି
ଦୂତକାର ପଣେ ୟେହାନ୍ତ ଯୁଝେଷ୍ଠି ଦିଲେ ପେଷି ।୯୮।
ୟେହିକଥା ପ୍ରମାଣ ହୋଇବନା ଯୁଗତେ
ୟେ ପୁଣ ଆସିଅଛନ୍ତି ଗ୍ରାମ ମାଗିବା ନିମନ୍ତେ ।୯୯।
ୟେସନକ କହିଲା ଶଂକୁନି ଭୂତ ଭବିଷ୍ୟ ସନ୍ଦେଶ
ଧଉମ୍ୟ ପୁରୋହିତ ଆସି ଯେ ହୋଇଲେ ପ୍ରବେଶ ।୧୦୦।
ଆସନ ସମାର୍ଜନ ଯେ କଲାକ କୁରୁରାୟେ
ଅତି ଆନନ୍ଦେ ପ୍ରଳମ୍ବ ସକଳ ସନ୍ଦେହେ ।୧୦୧।
କୁଶଳ ବାରତା ଯେ ପୁଚ୍ଛାକଲେ ଧଉମ୍ୟେ
ଆରୋଗ୍ୟ ନିରାପଦ ହୋଇ ବ୍ରତିଅଛନା ସର୍ବକ୍ଷମେ ।୧୦୨।
ସମସ୍ତ କୁଶଳ ବୋଲି ଯେ ବୋଇଲେ କଉରବେ
ତୁମ୍ଭେ ୟେବେ ଗବନ କଲ କେଉଂଣ ପରସ୍ତାବେ ।୧୦୩।
ଧଉମ୍ୟ ପୁରୋହିତେ ବୋଇଲେ ତୁମ୍ଭେ ଶୁଣିମା ଧାର୍ମିକ ଧୃତିରାଷ୍ଟି
ବନବାସ ଦୁର୍ଗତିରୁ ପାରହୋଇ ଯେବେ ଅଇଲେ ଯୁଝେଷ୍ଠି ।୧୦୪।
ଆହୋ ବାହାର ନଗ୍ରରେ ଆସି ରହିଛନ୍ତି ଇନ୍ଦ୍ର ଯେ ପ୍ରଶସ୍ତେ
ତୋହୋର ତାହାନ୍ତ ଶଂଖୋଳିବା ଯୋଗାଇ ଯୁଗତେ ।୧୦୫।
ବାବୁ ତୋହୋର ରାଜ୍ୟ ଦେଶ ନୋହଇ କି ଇନ୍ଦ୍ର ଯେ ପ୍ରଶସ୍ତ
ନଗ୍ର ଭ୍ରମଣି କରିଗଲେ ପାଣ୍ଡବେ ହୋଇବେ ଉଷତ ।୧୦୬।
ବାବୁ ଅମୃତ ବିଷ ଥାଇଟି ୟେହି ଜିଭ୍ୟା
ସଦବୁଦ୍ଧି ଥାଉଂ ଥାଉଂ ଅସଦବୁଦ୍ଧି କେମନ୍ତେ ଦେବା ।୧୦୭।
ବାବୁ ଧର୍ମେ ଆଶ୍ରେ କରିଥିଲେ ହୋ ମାନଗୋବିନ୍ଦ
କଦାଚିତ୍ତେ ପ୍ରାଣୀଂକିଟି ନ ପଡଇ ପ୍ରମାଦ ।୧୦୮।
ବାବୁ ସହୋଦ୍ର ସମ୍ଭାଳିଲେ ବହୁତ ହୋଅଇ ଧର୍ମ
ସମସ୍ତ କାଳକୁ କଥା ଥାଇଟି ସତ୍ୟଧର୍ମ ।୧୦୯।
ଉଠ ବାବୁ ଇନ୍ଦ୍ରପ୍ରଶସ୍ତକୁ ବେଗେ ଯିବା
ଗଉରୋବ କରି ପାଣ୍ଡବନ୍ତ ଘେନିଣ ଆସିବା ।୧୧୦।
ବାବୁ କୁଳରେ ପୁତ୍ରେକ ଉପୁଜିଲେ ବଂଶ କରଇଟି ରକ୍ଷା
ଇହଲୋକେ ପରଲୋକେ ପୂରଇ ମନବାଞ୍ଛା ।୧୧୧।
ବାବୁ ବୋଇଲେ ଯେ ତୁମ୍ଭେ ଆମ୍ଭର ପରମ ଗୁରୁ
ଧର୍ମକୁ ପ୍ରାପତ ହୋଇବୁ ନା ତୁ ଯେବେ ଅନ୍ତର ନ ଧରୁ ।୧୧୨।
ଦ୍ରିଯୋଧନ ବୋଇଲା ପଣ୍ଡାୟେ ରହ ରହ
ପାଇଲୁ ପ୍ରସ୍ତାବ ତୁମ୍ଭେ କିଛିହିଂ ନ କହ ।୧୧୩।
ତୁମ୍ଭନ୍ତ ପେଷିଲା ଯେ ଯହିଂର ନିମନ୍ତେ
ତାହା ନିର୍ଯ୍ୟାପ କରି କିମ୍ପେ ନ କହଟି ମୋତେ ।୧୧୪।
ପୁରୋହିତେ ବୋଇଲେ ତୁମ୍ଭେ ସର୍ବଗୁଣ ଲକ୍ଷଣ
ପରମନ ଜାଣନ୍ତା ତୁମ୍ଭେ ଅତି ବିଚକ୍ଷଣ ୧୧୫।
ଯେବେ ତାହାନ୍ତ ତୁ ନଗଲୁ ପାଛୋଟି
ଆପଣା କର୍ମକୁ ସନ୍ତାପିଲା ସେ ଯୁଝେଷ୍ଠି ।୧୧୬।
ଅପାର ପୁରସରି ବୋଇଲା ଆମ୍ଭକୁ
ଇନ୍ଦ୍ରପ୍ରଶସ୍ତ ପଡ଼ା ଖଣ୍ଡି ଦେବ କି ତାହା କୁ ।୧୧୭।
ୟେକ ପଡ଼ାକେ ସେ ଥାନ୍ତୁ ସକଳ ପ୍ରାଣୀ
ଦ୍ରିଯୋଧନର ମୁକୁଟ କମ୍ପିଲା ତାହା ଶୁଣି ।୧୧୮।
ଆହୋ ପୁରୋହିତେ ତୁମ୍ଭେ କୁଳର ବ୍ରାହ୍ମଣ
ୟେସନ ବାକ୍ୟ କହିବା ତୁମ୍ଭର କେବଣ କାରଣ ।୧୧୯।
ୟେସନେକ ତମ ବସିଲା ମୋର ବକ୍ଷସ୍ଥଳେ
ଆନ ହୋଇଲେ କି ପ୍ରାଣ ଥାଆନ୍ତା ୟେତେବେଳେ ।୧୨୦।
ତୁମ୍ଭେ ଯେ ପୁରୋହିତେ ଦେଖିବା ଅର୍ଥେ ଗଲ
ଓହୋକୁଳ ଅର୍ଥ ତୁମ୍ଭେ ମନାସିବାନା ଭଲ ।୧୨୧।
ପୁରୋହିତେ ବୋଇଲେ ବାବୁ ୟେ ସେ ଭଲ ବିଚାର
ଶୂରବନ୍ତ ଗୁଣବନ୍ତ ଜୀବନ ତୋହୋର ସାର ।୧୨୨।
ବେନି ସୋଦରେ ତୁମ୍ଭେ ଆମ୍ଭର ବୋଲ କଲେ
ବଂଶ ଉଦିତ ହୋଇବ ଦିନ ଯିବ ଭଲେ ।୧୨୩।
ମାନଗୋବିନ୍ଦ ବୋଇଲା ମହତଂକର ବାକ୍ୟ
ସମସ୍ୟାୟେ ଜାଣିଲୁନି ୟେସନେକ ବିବେକ ।୧୨୪।
ୟେକ ପଡ଼ା ଖଣ୍ଡିୟେ ପାଇଲେ ଯୁଝେଷ୍ଠି
ସକଳ କଥା କୁଶଳ ହୋନ୍ତା ପୁରନ୍ତା ମନତୁଷ୍ଟି ।୧୨୫।
ଭୀଷ୍ମ ଦ୍ରୋଣ ଭୂରିଶ୍ରବା ସମକଚ୍ଛେ
ଆମ୍ଭର ଶୁଭବାକ୍ୟ ସୁମରିବାନା ପଛେ ।୧୨୬।
ୟେତେ ବୋଲି ପୁରୋହିତେ ଓହ୍ଲାଇଲେ ଆସ୍ତାନୁ
ନାସିକାୟେ ହାଥ ଦେଇ ହସନ୍ତି କୁରୁତନୁ ।୧୨୭।
ଲଜ୍ଜାଭର ହୋଇଣ ସେ ଚଳିଲେ ପୁରୋହିତେ
ଯାଇଣ ପ୍ରବେଶ ହୋଇଲେ ଇନ୍ଦ୍ର ଯେ ପ୍ରଶସ୍ତେ ।୧୨୮।
ମନରେ ବିରସ ଯେ ହରଷଭାବ ତାଂକ ନାହିଂ
ଯୁଝେଷ୍ଠି ଦେବେ ଜାଣିଲେ ହୃଦରେଣ ଲାଇ ।୧୨୯।
ମନର ବିରସ ଦେଖି ପଚାରନ୍ତି ମହାରାଜେ
ସୁବିଧାନେ ପ୍ରସନ୍ନଗତ ନ ଦିଶି ମୋହୋର କାର୍ଯ୍ୟେ ।୧୩୦।
ମନର ବିରସେ ସେ ବଦନ୍ତି ଦେବ ଧଉମ୍ୟେ
ଯେହ୍ନେ ପ୍ରାପତ ହୋୟେ ଯେ ଯାହାର କର୍ମେ ।୧୩୧।
ଦ୍ଵନ୍ଦେଣ ବଢିଲା ହୋ ଯାହାର ପ୍ରକୃତି
ସଦା ଗଚ୍ଛଇ କି ତାହାର ମନ ଶାନ୍ତି ।୧୩୨।
ସମସ୍ତ ସଞ୍ଚପି ଯେ କହନ୍ତି ଦେବ ଧଉମ୍ୟେ
କଉରୋବ ପାଣ୍ଡବଂକ କଥା ନୁହଇ ନା ସାମ୍ୟେ ।୧୩୩।
ଦ୍ଵନ୍ଦକୁ ଇଚ୍ଛା ଯେବେ ତୋହୋର ହାଦେ ଅଛି
ଅଷ୍ଟାଙ୍ଗମତେ ଆର ନୋହୋଇନା କିଛି ।୧୩୪।
ଆହୋ ତୁ ଯେବେ ସହିବୁ ବାବୁ ତେବେ ସେ ରହଇ ତୋର ବଂଶ
ତୋହୋର ନ ସହିଲେ ଓହୋକୁଳ ଯିବ ନାଶ ।୧୩୫।
ଯୁଝେଷ୍ଠି ଦେବ ବୋଇଲେ ଯେ ମୋର ୟେକାଦଶ ବରଷ
ପଣ୍ଡୁ ମହାରାୟେ ଯେ ହୋଇଲେ ପ୍ରାଣେ ନାଶ ।୧୩୬।
ଉଣେଇଶ ବରଷ ମୋତେ ରହାଇଲେ ଜତୁଘରେ
ତହିଂଣ ଉବୁରିଲୁ ପଞ୍ଚବିଂଶ ବରଷରେ ।୧୩୭।
ପଞ୍ଚବିଂଶ ବରଷରେ ହୋଇଲୁ ବନବାସୀ
ପାଞ୍ଚାଳୀକୁ ଲଭିଲୁ ମହାଲାଖ ନାଶି ।୧୩୮।
ତହିଂର ଉତ୍ତାରେ ଯେ ଅଇଲୁ ରାଜ୍ୟକୁ
ପୁଣି ପଶିତ ନ ଦିଲେ ଆମ୍ଭଂକୁ ହସ୍ତିନା ଭୁବନକୁ ।୧୩୯।
ସମୟେକ ରହିଲୁଂ ଆମ୍ଭେ ବାରୁଣାବନ୍ତ ନଗ୍ରରେ
କପଟପାଶ ଭିଆଇଲେ ଘେନିଲେ ରାଜ୍ୟଭାରେ ।୧୪୦।
ପୁଣିହିଂ ଦ୍ଵାଦଶ ବରଷ ବୁଲିଲୁ ଘୋରବନେ
ବରଷେ ତେରଦିନ ଯେ ରହିଲୁ ଗୋପ୍ୟାନେ ।୧୪୧।
ଆହୋ ପୁରୋହିତେ କେତେହେଂ ଦୁଖ ସହିବୁ ସଭାବେ
ପଞ୍ଚସ୍ତୋରୀ ବରଷ ହୋଇଲାନି ବୟସ ମୋତେ ୟେବେ ।୧୪୨।
ରାଜାର କୁଳେ ଆମ୍ଭେ ହୋଇଲୁ ଜାୟେ
ଅନର୍ଥ ଦିଶୁଅଛି ଗୁରୁ ମହାଭୟେ ।୧୪୩।
ତୁମ୍ଭେ ମୋତେ ସାଖି ହୋଇଥିବାକ ଦେବ ଧଉମ୍ୟେ
ନିଚୟ ବ୍ରତ ମୋର ହୋଇଲା ସାଂଗ୍ରାମେ ।୧୪୪।
ୟେସନକ ବାକ୍ୟ କହନ୍ତେ ଧର୍ମରାୟେ
ମେରୁ ଓହାଡ଼େ ସୂର୍ଯ୍ୟ କାଳ ହୋୟେ ।୧୪୫।
ସନ୍ଧ୍ୟାକଇଂ ବିଜୟେ କଲେକ ଦେବଧର୍ମେ
ଯେ ଯାହାର ଅନରୂପେ ପଶିଲେ ନିଜକର୍ମେ ।୧୪୬।୧୫୮।
**************
ରୟଣୀ ପ୍ରଭାତେ ଯେ ବିଜୟେ କୁରୁପତି
ବିଦୁରକଇଂ ହକାରିଲେ ଧୃତରାଷ୍ଟ ମହାକ୍ଷତ୍ରୀ ।୧।
ଆହୋ ବିଦୁର ତୁମ୍ଭେ ଯାଅନି ଯୁଝେଷ୍ଠିଂକ କତି
ଧର୍ମକଇଂ ଆଶ୍ରେକରି ଥାଆନ୍ତୁ ସେହୁ ବ୍ରତି ।୨।
ଆହୋ ପଣ୍ଡିତ ହୋଇ ସେ ଅନର୍ଥୀ ହୋଇଲେ
ପୃଥୀ ନ ଥିବନା ତାହାର ନ ସହିଲେ ।୩।
ଆହୋ ଦ୍ରିଯୋଧନ ଅନେକ ଝିଂଘାସିଲା ତାହାଂକୁ
ସେ ଦୋଷମାନ ହାଦେ ଦେବଟି ଜାଣ ମୁକୁ ।୪।
ଆହୋ ଦୁଷ୍ଟଂକର ମତ୍ତଗର୍ବ ଶାନ୍ତି ହୋଇବା ଯାୟେ
ତେତେକାଳ ପରିଯନ୍ତେ ସହି ରହିଥାଉ ସମୟେ ।୫।
ଅନେକ ପ୍ରବୋଧିଣ ଯେ କହିଲେ ତିଆରିଣ
ଓହୋକୁଳ ବଂଶ ସେ କରିବ ରକ୍ଷଣ ।୬।
ପିତାର ବଚନେ ସେ ବିଦୁର ମହାତମା
ଚଳଇ ଇନ୍ଦ୍ରପ୍ରଶସ୍ତେ ସେ ଭାରଥକୁଳ ବ୍ରହ୍ମା ।୭।
ଉଦୟେ ଦିନକର ଯେ ବେଳ ପାଞ୍ଚଘଡ଼ି
ବିଦୁର ଭେଟିଲେ ଯେ କାଳବେଳ ଉତ୍ତାରି ।୮।
ୟେ ବିଧି ପୂଜା ଯେ ବିନୟେ ଦେବରାୟେ
ସଭାରେ ବସିଲେ ସେ ଅମ୍ବୁବତୀର ତନୟେ ।୯।
ଭୀମ ଅର୍ଜୁନ ସହଦେବ ମାନ୍ୟ ଘେନି
ୟେମାନନ୍ତ ଘେନି ବାରତା ପଚାରନ୍ତି ଅନ୍ୟୋଅନ୍ୟି ।୧୦।
ବନସ୍ତ ବାରତା ଯେ ବିଦୁରେ ପରକାଶି
ଯୁଝେଷ୍ଠି ଦେବ ସର୍ବ କହିଲେ ସମ୍ଭାଷି ।୧୧।
ଯୁଝେଷ୍ଠି ଦେବେ ବୋଇଲେ ତାତ ବନସ୍ତେ ବଡ ସୁଖ
ୟେସେ ବିଚାରେ ପାଉଛୁଂ ବଡ ଦୁଖ ।୧୨।
ବିଦୁରେ ବୋଇଲେ ଯେବେ ବନସ୍ତେ ବଡ ସୁସ୍ଥ ତୋତେ
ସୋଦର ଝିଂଘାସି ତୁ ଅଇଲୁ କି ନିମନ୍ତେ ।୧୩।
ଯୁଝେଷ୍ଠି ଦେବେ ବୋଇଲେ ମୁଂ ଯେ ହୋଇଲି ବନବାସୀ
ତହିଂକି କଉରୋବେ ମୋତେ ଯାଆନ୍ତି ଝିଂଘାସି ।୧୪।
ବିଦୁରେ ବୋଇଲେ ବାବୁ ମହତ ଜନଂକୁ
ଧର୍ମେଣ କଷଣ ପଡଇ କହଇ ମୁହିଂ ତୁକୁ ।୧୫।
ବାବୁ ତେ ଯେ ମହତ ପଣ୍ଡିତ ଧାର୍ମକ କୁଳଶୀଳ
ସୁଗ୍ୟାନୀ ପୁରୁଷ ତୁ ଯେ ସହିବୁ ସକଳ ।୧୬।
ପୁଣ ସମୟେକ ସହୁକି ନା ଧର୍ମ
ସମୟେକେ ଦୁଷ୍ଟନ୍ତ ପଡଇ ଅସମ ।୧୭।
ଯୁଝେଷ୍ଠି ବୋଇଲେ ତାତ ୟେମନ୍ତ ନ କହ
ୟେମନ୍ତେ କୁରୁ ପାଣ୍ଡବେ ବଢଇ ସନ୍ଦେହ ।୧୮।
ତୁମ୍ଭେ ପଣ୍ଡିତ ଯେ ମହାଭିଗ୍ୟଂ ସୁବୁଦ୍ଧି
ତୁମ୍ଭେ ଥାଇ ବେନିପକ୍ଷ କରିବନା ସନ୍ଧି ।୧୯।
ତୋ ତହୁଂ ପିତାମହ ନାହିଂତ ହିତକାରୀ
ମମ ବାକ୍ୟ ଘେନି ଯାଅ ହସ୍ତିନା ନଗରୀ ।୨୦।
ସମ୍ପଦ ମାଡ଼ିବସିଅଛି ମାନଚକ୍ରବ୍ରତୀ
ଅବିଚାର କରି ମୋତେ କରାଇଲେ ଅଭ୍ୟର୍ଥୀ ।୨୧।
ଯୁଝେଷ୍ଠି ବୋଇଲେ ତାତ ଧୃତରାଷ୍ଟକୁ କହ
ଶାନ୍ତି ଭଜିଣ କଥା ଯେମନ୍ତ ହୋଇବ ରହ ।୨୨।
ଇନ୍ଦ୍ରପ୍ରଶସ୍ତ ରାଜ୍ୟ ପଞ୍ଚବିଂଶ ସହସ୍ର ଯୋଜନ ମାଡ଼ି
ଯମପ୍ରଶସ୍ତ ଅଷ୍ଟାଦଶ ସହସ୍ର ଯୋଜନ ସ୍ଥଳୀ ଅଗୁଳି ।୨୩।
ଜଇନ୍ତା କଟକ ଦୁଇ ଅହିବ୍ରତ ଦୁଇ ସହସ୍ର ଯୋଜନ ଅଗୁଳି
କୋଡ଼ିୟେ ସହସ୍ର ଯୋଜନ ବାରୁଣାବନ୍ତ ସ୍ଥଳୀ ।୨୪।
ହସ୍ତିନା କଟକ ପନ୍ଦର ସହସ୍ର ଯୋଜନ ଯେ ଦେଶ
ୟେ ନ୍ୟାୟୁଂ ପଞ୍ଚରାଜ୍ୟ ଲକ୍ଷେ ଯୋଜନ ଯେ ପ୍ରକାଶ ।୨୫।
ସୁଖେଣ ଭୋଗ କରଇ ପଞ୍ଚୁ ରାଜ୍ୟ ମାଡ଼ି
କିଞ୍ଚିତ କରି ଦେଉ ମୋତେ ପଡ଼ା ପାଞ୍ଚଖଣ୍ଡି ଛାଡ଼ି ।୨୬।
ଭାଇନ୍ତ ଘେନିଣ ଥାଇକିନା କଣକେ
ଧୃତରାଷ୍ଟ ଚରଣେ ଖଟିଥିବଇ ଦୃଢ ବାକ୍ୟେ ।୨୭।
ଅଥବା ପଡ଼ା ପାଞ୍ଚଖଣ୍ଡି ଯେବେ ନ ଦିଅଇ ମୁକୁ
ଅବଶ୍ୟ ସାଂଗ୍ରାମ ହୋଇବ କହିଲି ଦୃଢବାକ୍ୟ ତୁକୁ ।୨୮।
ମୁଂ ଯେବେ ତାହାର ତୁଲେ ସମର ନ କରଇ
ଭୋ ପିତା ବିଦୁର ତୁମ୍ଭର ମୁଂ ପାଦପଦ୍ମେ ହାରଇ ।୨୯।
ଧର୍ମ ଧର୍ମ ସୁମରି ତହିଂ ଯେ ଚଳିଲେ ପିତାମହ
ଅନିର୍ଯ୍ୟାପ କଥା ମୋତେ ଲାଗିଲା ସନ୍ଦେହ ।୩୦।
ଚଳିଲେ ବିଦୁର ସେ ନିରାଧାର ବଚନ ଶୁଣି
ଯୁଝେଷ୍ଠି ଦେବଂକୁ ତିଆରନ୍ତି ଲେଉଟି ପୁଣି ପୁଣି ।୩୧।
ବାବୁ ସମରକଇଂ ଚୁ ଯେବେ କଲୁ ଇଚ୍ଛା
ପ୍ରତକ୍ଷେ ଜାଣୁନା ଭୀଷ୍ମ ଦ୍ରୋଣଂକର କଇଚ୍ଛା ।୩୨।
ଇଦଂ ପ୍ରତିବାକ୍ୟ ଯେ ବଦୟନ୍ତି ମହାତମା
ଇଚ୍ଛାମୃତ ଗାଙ୍ଗେବ ପ୍ରତକ୍ଷେ ଜାଣୁ ସିନା ।୩୩।
ବାବୁ ତୁମ୍ଭଂକୁ ହାରନ୍ତି ସିନା ଉପ୍ରୋଧି କରି ଯୁଦ୍ଧେ
ସରୂପ ସଂଗ୍ରାମେ କେ ତାହାନ୍ତ ଜିଣିମ ରଣମଧ୍ୟେ ।୩୪।
ଜାଣୁନା ଦ୍ରୋଣେ ଯେ ପାଠଋଷି ଗୋତ୍ରୀ
ନିମିଷକେ ମହୀଭାରା କି ପାରଇ ନିବୃତ୍ତି ।୩୫।
ହାଥରେ ଶହସ୍ର ଥିଲେ ନାହିଂ ତାହାଂକୁ ମୃତୁ
କାଳ ବେଭାରେ ସେ ଜାଣଇ ବ୍ରହ୍ମତତ୍ତୁ ।୩୬।
କୃପଆଚାର୍ଯ୍ୟ ଯେ ଭାରତ କୁଳ ବ୍ରହ୍ମା
କଳପୀ ଅୟୁଷ ଯୋଦ୍ଧା ସେ ଅଟଇ ଅଶସ୍ତମା ।୩୭।
ମାଦ୍ରୀର ସୋଦର ସେ ଶଲ୍ୟ ମହାରଥୀ
ନାରାୟଣ ଶଂକିତ ଯାହାର ସମର ଦେଖି ।୩୮।
ଭୂରିଶ୍ରବା ବାଲ୍ମୀକ ଆବର ଜଦ୍ୟରଥ ସୋମଦତ୍ତ
ଅଜୟେ ରଣଯୋଦ୍ଧା ସେ ଅତୁଲ୍ୟ ଦୁରାନ୍ତ ।୩୯।
କର୍ଣ୍ଣ ମହାମଲ୍ଲ ଯେ ତୋହୋର ସୋହୋଦ୍ର ଅଟଇ
କେହି ନ ବ୍ରତଇ ଯେ ତାହାକୁ ସମରେ ଭେଟଇ ।୪୦।
ଅଭେଦକପଚ ବଜ୍ର ଛଉରୀ ଅମୃତ କୁଣ୍ଡଳ ଚାପନ୍ତେ କର୍ଣ୍ଣେ
କେ ତାହାକୁ ସମାନେ ହୋଇବ ୟେ ତିନି ଭୁବନେ ।୪୧।
ବଜ୍ର ପଶୁପତ୍ର ବିଘାତ ନ ଭେଦଇ ଯାହାର ଗାତ୍ରେ
ଝରଇ ଅମୃତ ରସ ଯାହାର ବେନିକର୍ଣ୍ଣ ପାତ୍ରେ ।୪୨।
ୟେ ମହୀ ମଣ୍ଡଳେ ପଡଇ ଯାହାର କଥା
ତାହାକଇଂ ଜିଣିମାକୁ ତୁ କି ସାମରଥା ।୪୩।
ଯୁଝେଷ୍ଠି ବୋଇଲେ ତାତ ତୁ ନ କହନି ୟେହା
ଅନାସ୍ତ ଲୋକନ୍ତ କାଳେ ଧର୍ମହିଂ ସେ ସାହା ।୪୪।
ସର୍ବଥା ପ୍ରାଣୀନ୍ତ ଯେବେ ଛାଡ଼ିବାକ ଧର୍ମ
ଧାତୁବାଦ ପୁରୁଷ କିମ୍ପା ତାହା କରାନ୍ତି ଜନମ ।୪୫।
ଭୋ ତାତ ବଳବୀର୍ଯ୍ୟ ଥାଉଂ ଯେବେ ହୀନବୀର୍ଯ୍ୟ ହୋଇଲା
ସଞ୍ଜୟେ ଜାଣିମା ସେ ପ୍ରାଣୀ ଜୀଉଂ ଜୀଉଂ ମଲା ।୪୬।
ତାହାନ୍ତ ଜିଣିମାକୁ ମୁଂ ସାମରଥ ନୋହିଲେ
ବିବାଦକୁ ଇଚ୍ଛା କି ହୋଇବ ମୋହର ବେଳେ ।୪୭।
ଚଳ ଚଳ ପିତାମହ ନ ବୋଲନି ମୋତେ ୟେହା
ଅନାସ୍ତ ଲୋକକୁ ସେ ଧରମ ହୋଇ ସାହା ।୪୮।
ତୁଳ ଶୁକ୍ଳ ପଞ୍ଚମୀ ପୁଣି ଉତ୍ତର ବାର
ମୂଳା ନକ୍ଷତ୍ରକୁ ଯେ ଭୋଗଥିଲା ସେ ଦିନର ।୪୯।
ବନ ନାମେ କରଣ ଧୃତି ନାମେ ଯୋଗ
ଚଳନ୍ତି ବିଦୁର ତହୁଂ ହସ୍ତିନାକୁ ବେଗ ।୫୦।
ଇଦଂ ବାକ୍ୟେ ସମାପତ ପର୍ବ ଉଦିଯୋଗେ
ବିଦୁର ପ୍ରବେଶ ହୋଇଲେ ଧୃତରାଷ୍ଟଂକର ଆଗେ ।୫୧।
ମୃଣୋହି ଉତ୍ତାରେ ବାହାର ମନ୍ଦିରେ ବିଜୟେ
ୟେକସ୍ଥାନେ ବସିଲେ ଧୃତରାଷ୍ଟ ସଞ୍ଜୟେ ।୫୨।
ସଞ୍ଜୟେ ବୋଇଲେ ଅବଧାନ ଦେବସ୍ଵାମୀ
ବିଦୁରେ ବିଜୟେ ତାତ ଛାମୁରେ ପରଣାମି ।୫୩।
ଇଦଂ ବାକ୍ୟ ଧୃତରାଷ୍ଟ ବିଦୁର ସମ୍ପାଦ
ସର୍ବ କୁଶଳ ସୋଦର ମହା ପରିବନ୍ଧ ।୫୪।
ବିଦୁର ବୋଇଲେ ଦେବ କୁଶେଳେ ଯେବେ ଚିନ୍ତା
ପାଣ୍ଡବଂକର କାର୍ଯ୍ୟ କିମ୍ପେ ନ କରସି ସନ୍ଧିଗତା ।୫୫।
ଅପାର କଷ୍ଟେ ସେ ଯେ ବନେ ଗଲେ ସେବି
ନନ୍ଦନ ସହୋଦ୍ର ତୋର କେସନେକେ ନ ଭାବି ।୫୬।
ଧୃତିରାଷ୍ଟେ ବୋଇଲେ ବାବୁ ଭେଟିଲେ କି ଯୁଝେଷ୍ଠି
ମମ ପୁତ୍ର ହିତେ ସେ ବନେ ହେଲେ କଷ୍ଟି ।୫୭।
ବାଳୁତ କାଳହୁଂ ସେ ହୋଇଲେ ପରମ ଯୋଗୀ
ସର୍ବଦା କାଳେ ସେ ଧର୍ମକୁ ନ ଲଂଘି ।୫୮।
ବାବୁ ପାପକଇଂ ଭୟେ ସେ କରଇ ସର୍ବକାଳେ
ଧର୍ମକୁ ଆଶ୍ରେକରି ବ୍ରତନ୍ତି ୟେତେବେଳେ ।୫୯।
ବିଦୁରେ ବୋଇଲେ ଦେବ କହିଲୁ ତୁ ଧର୍ମ
ତୋହୋର ପୁତ୍ରଗୋଟି ସେ କେବଣ ଲକ୍ଷଣେ ଜନ୍ମ ।୬୦।
ନ ଥାଉଂ ଥାଉଂ ପ୍ରାଣୀ ହୋଅଇ ମନ୍ଦାଚାରୀ
କେତେକାଳ ପର୍ଯ୍ୟନ୍ତେ ତାକୁ ଧର୍ମ ଥିବ ଆବୋରି ।୬୧।
ତୁହି ଯେ ସୋମ ବଂଶେ ବିହନ୍ତା ବିଧାତା
ତୁ ସେ ଛାଡିଲୁନା ସେହି ପୁତ୍ରଂକର ଚିନ୍ତା ।୬୨।
ବିଦୁରେ ବୋଇଲେ ଯୁଝେଷ୍ଠି ବାନପ୍ରଶସ୍ତେ
ପୂର୍ବନ୍ୟାୟଂ କରି ସେ ସମାଦଇ ତୋତେ ।୬୩।
ମୁକୁଇଂ ବସାଇ ସେ ଅନେକ କହିଲା ପୀରତି
ପଡ଼ା ପାଞ୍ଚଖଣ୍ଡି ସେ ମାଗଇ ଅଭ୍ୟର୍ଥୀ ।୬୪।
ୟେତେକ ପାଇଲେ ସେ ରହିବ ମନ ମୃଚ୍ଛି
ଶାନ୍ତି ଭଜି ରହିବ ଦ୍ଵନ୍ଦ ନୋହିବାକ କିଛି ।୬୫।
ତୁ ଯେ ପରମ ଗୁରୁ ହସ୍ତିନା ପଞ୍ଚୁସ୍ଵର୍ଗେ
ତୋହୋର ଥାଉଂ କୁଟୁମ୍ଭେ ସେ ଅନ୍ୟୋଅନ୍ଵି କେବଣ ବାଗେ ।୬୬।
ଭୋ ତାତ ଯାବତ ଧର୍ମ ତାବତ କର୍ମ ଗଚ୍ଛି
ଅନିର୍ଯ୍ୟାପ୍ତ ନିରୋଧି ୟେବେ ଓହୋକୁଳ ରକ୍ଷୀ ।୬୭।
ଆହୋ ତୁ ତ ଅମାର୍ଗ ଅଦୃଶ୍ୟ ବେନିଚଛୁ
ତୁ ଅବା କାହାକୁ ସ୍ଵାମୀ ଉପ୍ରୋଧ କରିଅଛୁ ।୬୮।
ଭୋ ତାତ ପୁତ୍ରନ୍ତ ଭଞ୍ଜାଇ ୟେବେ କହିମେଲ କଥା
ମତ୍ତଗର୍ବ ଦୋଷେଣ ପ୍ରମାଦ ପଡ଼ଇ ସର୍ବଥା ।୬୯।
ଧୃତରାଷ୍ଟ ବୋଇଲେ ବାବୁ ତୁ ଅଟୁ ହୋ ସର୍ବଗ୍ୟଂ
ଧର୍ମୁକ ବିବେକ ପଣ୍ଡିତ ତୁ ଅଟୁ ମହାଭିଗ୍ୟଂ ।୭୦।
ପୁତ୍ରନ୍ତ ତିଆର ବାବୁ ଯେମନ୍ତ ହୋୟେ ପ୍ରୀତି
ଓହୋକୁଳ ଅବିବାଦେ ବାବୁ ହୋଇବ ସଦଗତି ।୭୧।
ଭୂରିସର୍ବାନ୍ତ ହକାରଇ ଅନ୍ଧ କଉରବ
ଏକାନ୍ତେ ବସାଇ କହଇ ପ୍ରିୟଭାବ ।୭୨।
ଭୋ ତାତ ସୋମବଂଶର ଧାରଣ ତୁ ଅଟୁ ଅଧିକାରୀ
କଉରୋବ ବଂଶ ପାରିବୁଟି ରକ୍ଷା କି କରି ।୭୩।
ସୁବିଧାନ ବଚନ ୟେବେ କହ ପିତାମହ
ଯେସନେକେ ପାଣ୍ଡେବଂକ ତୁଲେ କଉରୋବଂକର ବଢଇ ସେନେହ ।୭୪।
ଯଦ୍ୟପି କାର୍ଯ୍ୟ ତୁମ୍ଭେ କରି ନୁଆରିବ ସନ୍ଧି
ଅଥବା ପାଣ୍ଡବନ୍ତ ତିଆର ପ୍ରବୋଧି ।୭୫।
ଧୃତରାଷ୍ଠ ବଚନେ ବଦୟନ୍ତି ଭୂରିସର୍ବା
ଆଦିହୁଂ ୟେମନ୍ତ କଥା ନ ଭାଳିଲୁ ଅବା ।୭୬।
ଶତେପୁତ୍ର ଜାତ ତୋର ହୋଇଲେ ଯେବେବେଳେ
ବିଦୁର ପ୍ରଥମେ ଦ୍ରିଯୋଦନକୁ ଦିଲା ତୋର କୋଳେ ।୭୭।
ବିଦୁରେ ବୋଇଲେ ତାତ ବଢାଇ ବିଚକ୍ଷଣ ପୁତ୍ରଗୋଟି
ମାନେ ମାନଗୋବିନ୍ଦ ହୋଇବ କଇଚ୍ଛା ଜଗଜ୍ଜଠୀ ।୭୮।
ହାଥେ ପଦ୍ମ ପାୟେ ପଦ୍ମ ୟେହାର ହାଦେ ଅଛି
ଅହର୍ନିଶି କନ୍ଧୁ ୟେହାର ନ ଛାଡ଼ିବ ଲଚ୍ଛୀ ।୭୯।
ବଡ଼ାଇ ବିଚକ୍ଷଣ ୟେ ହୋଇବ ମହୀସ୍ଥଳେ
ଲକ୍ଷେକ ନୃପତି ଯେ ଖଟିବେ ପାଦତଳେ ।୮୦।
ୟେକ କଥାୟେ ଯେ ୟେହାର ଅବଳ
ଦୁଷ୍ଟ ପ୍ରକୃତି ୟାହାର କର୍କଶ ମଧୁପିଙ୍ଗଳ ।୮୧।
ବଂଶ ତୋହୋର ଉଦିତ କରିବ ୟେହୁ ବଚ୍ଛ
ୟେହାରେ କୁଟୁମ୍ବ ତୋହୋର ହୋଇବ ନିରକ୍ଷ ।୮୨।
ୟେକ ପୁତ୍ରକୁ ନାଶି ଅନେଶତ ପୁତ୍ର କର ରକ୍ଷା
ପାଇବୁ ଅଇଶୂର୍ଯ୍ୟ ପୂରାଇବୁ ମନବାଞ୍ଛା ।୮୩।
ଯେ ବେଳେ ନ କଲ ତୁମ୍ଭେ ବିଦୁରର ବାଣୀ
ଅସ୍ତୁକାର ବାକ୍ୟ ତୁ ଯେ ନୁଆରିଲୁ ମନେ ଗୁଣି ।୮୪।
ଭୂରିସର୍ବାଂକ ବାଣୀ ଶୁଣି ବୋଇଲେ ଧୃତରାଷ୍ଟ ମହାଯତି
ଗତ ଶୋଚନାକୁ ନ କର ମନେ ଭ୍ରାନ୍ତି ।୮୫।
ମୁହିଂ ୟେହା ପ୍ରତକ୍ଷେ ଜାଣିଅଛଇ ହୃଦଗତେ
ଆତ୍ମାରୁ ଜାତ ପୁତ୍ର ନାଶ କରିବି କେମନ୍ତେ ।୮୬।
ଗତ ଦୋଷମାନନ୍ତ ତୁ ନ କର ଶୋଚନା
ଯୁଝେଷ୍ଠିଂକ କୋପ ତୁ କର ବିମୋଚନା ।୮୭।
ବିଦୁର ଅଗ୍ରତେ ସେ ଯାହା କହିଲେ ଯୁଝେଷ୍ଠି
କିଞ୍ଚିତ କରି ମୋତେ ଦେଇ ପଡ଼ା ପାଞ୍ଚଗୋଟି ।୮୮।
ଭୁରିସର୍ବାୟେ ବୋଇଲେ ସେ ଦ୍ଵନ୍ଦକୁ ନ ଇଚ୍ଛି
ପୁଣ ପୁଣ ନ୍ୟାୟ କରି ସବୁନ୍ତ ଜିଣୁଅଛି ।୮୯।
ବାବୁ ପାଣ୍ଡବଂକର ଆମ୍ଭର ଯେମନ୍ତ ସ୍ନେହଭାବ
ତୋହୋର ପୁତ୍ର ରକ୍ଷଣେ ବଢାଇଲ ରାଗ ।୯୦।
ବାବୁ ଦଇବର ଘଟସୂତ୍ରେ ୟେମନ୍ତ ଅଛଇ ପୂର୍ବେ
ଓହୋକୁଳ ଅଭାବ ହୋଇବେ କଉରୋବେ ।୯୧।
ଭୂରିସର୍ବାୟେ ବୋଇଲେ ୟେ କଥା ନୁହଇ ଯେ ସାମ୍ୟ
ଯୁଗତେ ଦ୍ରିଯୋଧନ ନ ଦେବଟି ଏକ ଗ୍ରାମ ।୯୨।
କଳିକାଳ ଦ୍ଵନ୍ଦ ଅଟଇ ୟେ ମାନଗୋବିନ୍ଦ
ଯୁଝେଷ୍ଠି ସହିଲେ ସେ ନୋହିବଟି ଦ୍ଵନ୍ଦ ।୯୩।
ଧୃତରାଷ୍ଟ ବୋଇଲେ ଚାଲ ଯିବା ହୋ ସଭାକୁ
କୁଟୁମ୍ବ ସମେତେଣ ଯେ ବୋଲିବା ତାହାକୁ ।୯୪।
ଅମ୍ବିକାର ନନ୍ଦନ ସଞ୍ଜୟ କର ଧରି
ଆଗେଣ ବିଦୁର ପଛେଣ ୟାନ୍ତି ଭୂରି ।୯୫।
ପ୍ରବେଶ ହୋଇଲେ ଅନ୍ଧରାଜା ଆସ୍ତାନେ
ବିଦୁରଂକୁ ହସିଲେ କଉରୋବ ଦୁଷ୍ଟମାନେ ।୯୬।
ଦୃଷ୍ଟିପାତ କରିଣ ଯେ ବୋଇଲେ ଶକୁନି
ବଡ଼ାଇ ସମ୍ଭରେଣ ଆସୁଅଛନ୍ତି ଜଣ ତିନି ।୯୭।
କଥାୟେ ଭିଆଇ ଆସୁଅଛନ୍ତି ସଭାକୁ
ବିଦୁରେ ଯାଇଥିଲେଟି ପାଣ୍ଡବଂକ ଆଶ୍ରମକୁ ।୯୮।
ୟେସନେକ ବିଚାରନ୍ତେ ଆସ୍ତାନକୁ ଉଠି
ଆସନ ତେଜି ସମସ୍ତ ଯୋଦ୍ଧାମାନେ ଉଠି ।୯୯।
ସଭାମଧ୍ୟେ ବସିଅଛନ୍ତି ଧୃତରାଷ୍ଟି
ଆସ୍ତାନ ତେଜିଲେ ଦେଖି ରାଜା ଧୃତିରାଷ୍ଟି ।୧୦୦।
ଭୂରିସର୍ବାଂକୁ ଭୀଷ୍ମେ କଲେକ ନମସ୍କାର
ସମସ୍ତେ ପ୍ରଣପତ୍ୟ ଧୃତିରାଷ୍ଟଂକ ପୟର ।୧୦୧।
ଆସ୍ତାନେ ବିଜେକରି ଅଛନ୍ତି କୁରୁବୀର
ମାନଗୋବିନ୍ଦ ପଦ କାହାକୁହିଂ ନମସ୍କାର ନାହିଂନା ତାହାର ।୧୦୨।
ଅଭ୍ୟନ୍ତର ଆସ୍ତାନେ ଯେ ବିଜୟେ ସୋମବଂଶୀ
ଆସ୍ତାନର ମଧ୍ୟରେ ବିଦୁରେ ବଚନ ପରକାଶି ।୨୦୩।
ଶୁଣ ଦେବ କଉରୋବ କୁଳ ଚକ୍ରବ୍ରତ୍ତୀ
ରାଜାଧି ରାଜେଶ୍ଵର ତୁ ପଞ୍ଚୁ କଟକେ ଆଧିପତି ।୧୦୪।
ମୁକୁହିଂ ହକାରିଣ ବୋଇଲେ ଯୁଝେଷ୍ଠି
ଅନେକ ବିନୋୟୀ ତୋତେ ବୋଇଲେ ଧୃତିରାଷ୍ଟି ।୧୦୫।
ସେ ମୋହୋର ସୋଦର ଯେ ଅଟନ୍ତି ଯୁଗତେ
ପଡ଼ି ପାଞ୍ଚଖଣ୍ଡି ସେ କଣକଳ୍ପେ ଦେଉ ମୋତେ ।୧୦୬।
ଭାଇନ୍ତ ଘେନିଣ ମୁହିଂ ଥାଇ ଅଭ୍ୟନ୍ତରେ
ଯେ ଯାହା ବିଧିରେ ସେବା କରିବା ଧୃତିରାଷ୍ଟର ପୟରେ ।୧୦୭।
ଲକ୍ଷେକର ଯୋଜନରେ ସେ ଅଟଇ ଅଧିକାରୀ
ଅଥବା ଗ୍ରାମ ଦିଲେ ଧର୍ମ ହୋଇବ ତାହାରି ।୧୦୮।
ବିଦୁର ମୁଖରୁ କୁରୁପତି ୟେସନେକ ବାକ୍ୟ ଶୁଣି
ସମସ୍ତେ ହେଂ ବସିଛନ୍ତି ଥମ୍ଭୀଭୂତ ଜାଣି ।୧୦୯।
ଇଦଂବାକ୍ୟେ ସେ ଯେ ରାଧେବ ପ୍ରତିବାକ୍ୟ
ସାମାନ୍ୟେ ସାଦୃଶେ କହିବା ନାୟକ ।୧୧୦।
ଓହୋକୁଳର ତୁମ୍ଭେ ଅଟ ପିତାମହ
ପ୍ରସ୍ତାବ ବାକ୍ୟେ ତୁମ୍ଭେ ସରୂପ ନ କହ ।୧୧୧।
ଭୂରିସର୍ବାଂକ ଯୋଦ୍ଧାପଣ ବିଦୁରେ ମଧ୍ୟପାତ୍ର
ଦ୍ରୋଣଂକର ଗୁରୁପଣ ଧୃତରାଷ୍ଟ ଯେହ୍ନେ ତାତ ।୧୧୨।
ସଞ୍ଜୟେଂକ ମନ୍ତ୍ରୀପଣ କୃପାଂକର ଯେହ୍ନେ ବୁଦ୍ଧି
ୟେମାନନ୍ତ ଆବୋରିଲେ କାର୍ଯ୍ୟ ନୋହେ ସିଦ୍ଧି ।୧୧୩।
ଶକୁନି ବୋଇଲେ ଯାହା ବୋଇଲ ହୋ କର୍ଣ୍ଣ
ଆମ୍ଭର ବିଚାରକୁ ତ ଯୋଗାଇଲ ୟେକଥା ମାନ ।୧୧୪।
ଶକୁନି ବୋଇଲା ଧୃତରାଷ୍ଟ ପିତା ତାହଂକର ନଦିଶଇ ବେନିନୟନ
ଭୂରିସର୍ବାୟେ ବିନ୍ଧିଲେ ଅଙ୍ଗେ ନ ଭେଦେ ଶହସ୍ରମାନ ।୧୧୫।
ଦ୍ରୋଣଂକର ଗୁରପଣ ୟେକକୁ ବିଦ୍ୟା ଦଅନ୍ତି ଭଲେ
ଆରେକ ଶିଷ୍ୟ ଗୁଣ୍ଠିମୁଠି କରି ନୁଆରଇ ଭଲେ ।୧୧୬।
ସଞ୍ଜୟେ ମନ୍ତ୍ରୀପଣ ଜାଣିଣ ନ କହି
ୟେହାନ୍ତ ବରିଲେ ହୋ ଶଉର୍ଯ୍ୟପଣ ତୁଟଇ ।୧୧୭।
ଭୂରିସର୍ବାୟେ ବୋଇଲେ ଆମ୍ଭର ବୃଦ୍ଧକାଳ
ମିଛେହେଂ ଶହସ୍ର ଧରୁଂ ଆମ୍ଭେ ପେଟର ବିକଳ ।୧୧୮।
ଧୃତରାଷ୍ଟ ଅନ୍ଧ ସେ ଅଟନ୍ତି ଯୁଗତେ
ରାଜାର ପିତା ବୋଲାନ୍ତି ସେ ପ୍ରତିଗ୍ରହ ନିମନ୍ତେ ।୧୧୯।
ଦ୍ରୋଣଂକର ଗୁରୁପଣ ଆନଠାରେ ନ ବ୍ରତନ୍ତି
କୁମନ୍ତ୍ର ନ କହନ୍ତି ସଞ୍ଜୟେ କିସ ମନ୍ତ୍ରୀ ।୧୨୦।
ଅନର୍ଥେ ବାଢିଲ ସେ ଯେବଣ କୁଳ ଲୋକ
ଅଥବା ମୁଖରୁ ପ୍ରସରଇ ତାହାର ସୁବାକ୍ୟ ।୧୨୧।
ଦ୍ରିଯୋଧନ ମହାରାଜାକୁ ଶକୁନି ମହାମନ୍ତ୍ରୀ
ଧୁଶାସନ ମହାଯୋଦ୍ଧା କର୍ଣ୍ଣ ସେନାପତି ।୧୨୨।
ଦ୍ରିଯୋଧନ ରାଜା କର୍କଶ ମଧୁପିଙ୍ଗଳ
ଶକୁନି ମହାମନ୍ତ୍ରୀ ତାହାର ବନ୍ଧୁ ଉପର କୁଳ ।୧୨୩।
ଧୁଶାସନ ଯୋଦ୍ଧା ଯେ ମୂର୍ଖ ଅପଣ୍ଡିତ
କର୍ଣ୍ଣ ସେନାପତି ସେ ଉଭୟ କୁଳର ଅଇରି ତ ।୧୨୪।
ରାହୁ କେତୁ ମଙ୍ଗଳ ଆବର ଶନିଶ୍ଚର
ଚାରିହେଂ ବସନ୍ତି ଯେବେ ୟେକ ଆସ୍ତାନର ।୧୨୫।
ଇନ୍ଦ୍ର ବୃଷ୍ଟି ନ କରଇ ପୃଥିବୀରେ ଶସ୍ୟହାନି ହୋଇ
ଅସ୍ଥିମାଳ କଂକାଳ ରୋଧିରେ ବିଲେପନ ମହୀ ।୧୨୬।
ବାଭିୟେ ୟେ ଚାରିଗ୍ରହ ୟେବେ ଜନମ ତୁମ୍ଭେ ୟେଥେଂ
କାହାକୁଇଂ ସୁସ୍ଥ ହୋଇବଟି ୟେ ମହାଭାରଥେ ।୧୨୭।
ବାବୁ ୟେହା ସମ୍ପାଦି କହିବୁ ବୀର କର୍ଣ୍ଣ
କାଳେ ଜାଣିମାନା ବାବୁ ୟେଥିର ବିଧାନ ।୧୨୮।
ଯୁଝେଷ୍ଠି ସହିଲେଟି ସମସ୍ତ ହୋୟେ ସିଦ୍ଧି
ତାହାର ନ ସହିଲେ ୟେଥି ସବୁନ୍ତି ମନ୍ଦବୁଦ୍ଧି ।୧୨୯।
ଚାଣ୍ଡାଳ ସଭାରେ ଯେ ବ୍ରାହ୍ମଣ ବସିଥିଲେ
ସେ ଜାଣଇ କି ଦେବ ଆଧ୍ୟାନ ହଦେ କଲେ ।୧୩୦।
ଧୁଶାସନ ବୋଇଲା ତୁମ୍ଭେ ଗୋତ୍ରବୃଦ୍ଧି ଅଟ
ଆନ କେ ହୋଇଲେ ବୁଝନ୍ତା ସଂକଟ ।୧୩୧।
ଭୂରିସର୍ବାୟେ ବୋଇଲେ ତୁ କିସ ବୁଝିବୁ
ନିକଟ ହୋଇଲାନି ଦିନ ଲେଖିଥାଅ ରେ ବାବୁ ।୧୩୨।
ସର୍ବୋଦୟେ ପ୍ରାଣୀଂକି ହାଦେ ନୁହଇ ସିନା ସମ୍ପଦ
ସର୍ବଦା ପ୍ରାଣୀଂକି ଯେ ନ ପଡଇ ବିପଦ ।୧୩୩।
ବିଦୁର ବୋଇଲେ ମାନଗୋବିନ୍ଦ ମୁଖ ଚାହିଂ
ତୋହୋର ପ୍ରତିବାକ୍ୟ କିଛୁହିଂ କିମ୍ପେ ନାହିଂ ।୧୩୪।
ବାବୁ ସମସ୍ତେ ଅନ୍ଧ ଆମ୍ଭେ ତୁହି ସେ ଦିବ୍ୟଚଛୁ
ତୋହୋର ବଣା ହୋଇଲେ ଆମ୍ଭେ ସମସ୍ତେ ଅମାର୍ଗେ ବୁଲୁଅଛୁଂ ।୧୩୫।
ବାବୁ ସମସ୍ତେହେଂ ମୁର୍ଖତ ଆମ୍ଭେ, ତୁହି ସେ ପଣ୍ଡିତ
ତୁ ଭାଖା ନ କହିଲେ ଆମ୍ଭର କିସ ଯେ ଉକତ ।୧୩୬।
ବାବୁ ତୁହି ସେ ଶୁଣନ୍ତା ଆମ୍ଭେ ଅଟୁଂ ସର୍ବେ କାଲ
ତୋହୋର ନ ଶୁଣିଲେ ଆମ୍ଭେ ଶୁଣିବୁଂ କାହା ବୋଲ ।୧୩୭।
ଆମ୍ଭେମାନେ ସମସ୍ତେ ହାଦେ ଅଟୁଂ ରୋଗୀ
ତୁହି ସେ ଗାରୁଡ଼ିଆ ରାଉଳ ପରମ ଯୋଗୀ ।୧୩୮।
ସବୁରି ଶରୀରେ ଆମ୍ଭର ଆବୋରି ଅଛି ବ୍ୟାଧି
ତୋହୋର ବାକ୍ୟଗୋଟି ଆମ୍ଭନ୍ତ ଅଟଇ ମଉଷଧି ।୧୩୯।
ଫେଡ଼ି ମେଲ ବାଚା ବାବୁ ମଉନବ୍ରତ ନୋହ
ଗୁରୁଜ୍ୟେଷ୍ଠ ହୋଇ କେ କରିବ ସ୍ଵାମୀଦ୍ରୋହ ।୧୪୦।
ସବୁ ଅନ୍ଧାର ଘୋଟିଅଛି ମହାନିଶା ରାତି
ତୋହୋର ସୁବାକ୍ୟେ ବିକାଶୁ ସୂର୍ଯ୍ୟଜ୍ୟୋତି ।୧୪୧।
ଅନେକ ପୁରୁଷାର୍ଥ ଯହୁଂ କହିଲେ ବିଦୁର
ଦ୍ରିଯୋଧନ ବୋଇଲା ତାତ କ୍ଷଣକେ ହୋଅ ଥିର ।୧୪୨।
ୟେ କୁରୁ ସାଗରକୁ ଶଂକୁନି ସର୍ବ ବୁଦ୍ଧି
ସେ ମୋହୋ ସହୋଦ୍ର ମାତୁଳ ତୁ ତାହା କିମ୍ପା ନିନ୍ଦି ।୧୪୩।
ବଂଶଯାକ ମାରିଣ ମୁଂ ତାହାକୁ କଲି ରକ୍ଷା
ୟେ ମୋହୋର ସମ୍ପଦକୁ କାରେଣ ୟେହାର ଯେବଣ ବାଞ୍ଛା ।୧୪୪।
ୟେକା ବୁଦ୍ଧି ୟେକଇ ପ୍ରକୃତି
ୟେକଇ ଭାରିଯା ମୋହୋର ଅଟଇ ଭାନୁମତୀ ।୧୪୫।
ୟେକଇ ଦେବତାୟେ ମୋହୋର ଆର୍ଧନା କରତାର
ୟେକା ପୁତ୍ରକେ ମୋହୋର ଲକ୍ଷଣ କୁମାର ।୧୪୬।
ୟେକଇ ମନ୍ତ୍ରୀ ମୋହୋର ଅଟଇ ଶଂକୁନି
ୟେକା ବାକ୍ୟହୁଂ ମୁହିଂ ନ ଜାଣଇ ବାକ୍ୟ ବେନି ।୧୪୭।
ୟେକା ବାକ୍ୟହୁଂ ଯେବେ ବେନିବାକ୍ୟ କହିଲେ
ଜୀବନ ଅକାରଣ ବାଚା ବିଚଳିତ ହୋଇଲେ ।୧୪୮।
ୟେକା ଭାରିଯାକେ ଯେ ଯତସତ କ୍ରିୟା
କଳହେ ଆଷ୍ୟ ତୁଟଇ ଯାହାର ବେନିପ୍ରିୟା ।୧୪୯।
ଆହୋ ୟେକା ପୁତ୍ରେକ ଜାତ ହୋଇଲା ଭାଗୀରଥୀ
ଷାଠିଏ ସହସ୍ର ପିତୃଲୋକନ୍ତ କଲାକ ମୁକତି ।୧୫୦।
ଅଥବା ପାପହିଂ କରୁ କି ପୁଣ୍ୟହିଂ ସେ କରୁ
ସନ୍ଧି ଅସନ୍ଧି କଥା ଶଂକୁନି ସବୁ ଫେଡୁ ।୧୫୧।
ଦୁଇ ଜିଭ୍ୟା ବହନ୍ତି ଉଡ଼ଙ୍ଗ ଜୀବମାନେ
କୁଟୁମ୍ବ ନାଶ ହୋଇ ତାତ ତାହାଂକର ଦଂଶନେ ।୧୫୨।
ୟେବେ ହୋ ବୋଲୁଅଛ ସମସ୍ତେ ତୁମ୍ଭେ ଶୁଣ
କଉରୋବ ବଳ ପାଣ୍ଡବ ବଳକଇଂ ଶଂକୁନି ସେ ଦାତାପ୍ରାଣ ।୧୫୩।
ଶଂକୁନି ଜିଭ୍ୟାରେ ଅଛଇ ଯମଧର୍ମ
ୟେ ଯାହା ଭାଷିବ ସେ ଭୁଞ୍ଜିବ ନିଜ କର୍ମ ।୧୫୪।
ଯେତେକ ବୁଦ୍ଧି ଶଂକୁନି କହିଲା ଜାଣ ମୋତେ
ସମସ୍ତ ସୁବିଧାନ ୟେତେବେଳ ପରିଯନ୍ତେ ।୧୫୫।
ୟେଥୁ ଅବା ବିପଦ ହୋଇବ ମୋର କର୍ମେ
ଶଂକୁନିର ମୁଖରୁ ଯେବେ ଛାଡ଼ିବଟି ଧର୍ମେ ।୧୫୬।
ୟେସନେକ ସଭାରେ ଯେ ବୋଇଲା ରାଜା ବାଣୀ
ଧୃତିରାଷ୍ଟ ଉଠିଗଲେ ଆସ୍ତାନୁ ତାହା ଶୁଣି ।୧୫୭।
ଭୂରିସର୍ବାୟେ ଗଲେ ଯେ ନିଜ ଭୁବନେ
ବିଦୁର ଚଳିଗଲେ ଯେ ଇନ୍ଦ୍ରପ୍ରଶସ୍ତ ସ୍ତାନେ ।୧୫୮।
ଜୟତୁ ଭଗତ ବତ୍ସଳ କରୁଣା ବାରାନିଧି
ଦ୍ରଶନେ ମୁକତି ପ୍ରସନ୍ନେ ସର୍ବକାର୍ଯ୍ୟ ସିଦ୍ଧି ।୧୫୯।
ପୁଣ୍ୟ ପ୍ରାପତ ନାଥ ସଦୟ ପୁରୁଷ
ତବ ପ୍ରସନ୍ନେ ମୋତେ ଉଦିତ ହେଉ ଯଶ ।୧୬୦।
ନରକ ନିବାରଣ ନାରାୟଣ ତୋର ନାମ
ସ୍ଵାମୀ ସୁବୁଦ୍ଧି କୁବୁଦ୍ଧି ତୁ ସର୍ବଦା କରୁ ସମ ।୧୬୧।
ଯଦ୍ୟପି ଉଚ୍ଚବାଚ ହୋଇବ ଓହୋକୁଳ ମଧ୍ୟେ
ସେ ଶାନ୍ତି ହୋଇବ ଦେବ ତୋହୋର ପରସାଦେ ।୧୬୨।
ନୀଳେନ୍ଦ୍ରୀ ଜଳପ୍ରାୟେ ଯାହାର ମୁଖଗୋଟି
ଆଗାଦ ଜଳେ ଯେହ୍ନେ ଶ୍ଵେତପଦ୍ମ ଫୁଟି ।୧୬୩।
ସ୍ଵାମୀ ଦ୍ରହସିତ ବଦନ ଅଧରୁ ପଂକୁ ବିମ୍ବଫଳ ଜାଣି
ହେଙ୍ଗୁଳ ବିଭଳିତ ଯେହ୍ନେ ନେତ୍ର ଜଳଇ ଶୁଦ୍ଧମଣି ।୧୬୪।
ସଦା ଅନୁଗ୍ରହ ନାଥ ଅକ୍ଷୟେ ଅବ୍ୟୟେ
ନିରାକୁଳ ନିର୍ମଳ ସୂକ୍ଷ୍ମ ଯାହାର କାୟେ ।୧୬୫।
ସ୍ଵାମୀ ଅନିର୍ଯାପ ସଂସାର ଅକଳିତ ବାରାନିଧି
ପରମ ନିରଞ୍ଜନ ନାଥ ମୋତେ ତୁରିତେ କହ ବୁଦ୍ଧି ।୧୬୬।
ସ୍ଵାମୀ ଅକଳିତ ସାଗରେ ମୁଂ ଯାଉଅଛି ଭାସି
ସର୍ବ ସୋଦର ନାଥ ମୋତେ ଉଦ୍ଧରି ଧର ଋଷୀକେଶି ।୧୬୭।
ଆବର ପ୍ରକୃତି ନ ଜାଣି ହୋଇଲଇଂ ବଣା
ତବ ନାମ ଗୋଟି କଲଇଂ ଧାରଣା ।୧୬୮।
କେ ମାତା କେ ପିତା କେ କାହାର ବନ୍ଧୁ
ତହି ସେ ଶୁଣନ୍ତା ନାଥ ତାରଣ ସୁଧା ସିନ୍ଧୁ ।୧୬୯।
ସ୍ଵାମୀ ପ୍ରଳମ୍ବ କୋଦଣ୍ଡ ଅଟଇ ଯାହାର ବେନିବାହା
ନିବିତ ବକ୍ଷସ୍ଥଳ ଶୋଭିତ ଯାହାର ହିୟା ।୧୭୦।
ବିସ୍ତାର ବେନିଜାନୁ କଣୟ କଳ୍ପ ଦୃଷ୍ଟି
ତ୍ରଇଲୋକ୍ୟ ଆକ୍ରେଷଣ ରୁଚିର ବେନିମୃଷ୍ଟି ।୧୭୧।
ଶ୍ରୀଭୁଜେ ଶୋଭାବନ ଶଙ୍ଖ ଚକ୍ର ଶାରଙ୍ଗ
ଜଳଦ ମେଦୁର ବାଣୀ ଯାହାର ସିଂଘଠାଣି ଶ୍ରୀଅଙ୍ଗ ।୧୭୨।
ବିଘଂସିତ ପଦ୍ମ ଶୋଭିତ ଯାହାର ବେନିପାଦେ
ତୋହୋ ଭୁବନ ଦେଖିବି ନାଥ ତୋହୋର ପରସାଦେ ।୧୭୩।
ସ୍ଵାମୀ ନାରାୟଣ ନାମ ଶ୍ରୀପୁରୁଷୋତ୍ତମ ନାମଗୋଟି
ପଦ୍ମ ପାଦତଳେ ଲଲାଟ ମମ ଲୋଟି ।୧୭୪।
ତୁଳୁସାର ବଲ୍ଲଭ ବାସୁଦେବ ଯାହାର ନାମ
ଶୁଦ୍ରମୁନି ସାରୋଳା ଦାସ ଭାବଇ ରାମ ରାମ ।୧୭୫।
ଆହୋ ଚଇତନ ଯଦ୍ୟପି ମାନୁଷ ଅଂଶେ ମୁହିଂ ଅହିଂସା ଅପାପୀ
ମୁନି ବ୍ରହ୍ମବାକ୍ୟ ମୁଂ ଭାବଇ ଅଦ୍ୟାପି ।୧୭୬।
ନରମଦା ସରସ୍ଵତୀ କୃପାଜଳ କୁମାରୀ
ସିନ୍ଧୁ ସଙ୍ଗମ ତୀର୍ଥ ଆଗ୍ୟାଂ ବ୍ରତକାରୀ ।୧୭୭।
ମୋତେ କିସ ଗୋଚର ଗଙ୍ଗାବାଲି ଲେଖା
ଜଙ୍ଖେରପୁର ବାସିନୀ ସିଦ୍ଧ ସାରୋଳ ମୋତେ ସାଖା ।୧୭୮।
ଆହୋ ବୁଧଜନେ ନ ଘେନିମା ମୋର ଦୋଷ
ସେ ଯାହା କହନ୍ତି ମୁଂ ତାହା କରଇ ପ୍ରକାଶ ।୧୭୯।
ମାନବ ହୋଇ ମୁଂ ତାହାଂକ ରୂପ ଯେ ଦେଖିଲି
ସେ ଯାହା ରାତ୍ରେ କହଇ ମୁଂ ତାହା ଲେଖିଲି ।୧୮୦।
ମୁହିଂ ଶୂଦ୍ର ମୂର୍ଖ ଅଗ୍ୟାନ ଅପଣ୍ଡିତ
ମୁଂ କାହିଂ କହିବି ପୁରାଣ ଅକଳିତ ଶ୍ରୀ ମହାଭାରଥ ।୧୮୧।
ନ ପଢିଲି ନ ଶୁଣିଲି ନ ଭାବିଲି ଗତ ପୁଣ୍ୟେ
ଅଷ୍ଟାଦଶ ପର୍ବ କଲି ମୁଂ ଶ୍ରୀ ସାରୋଳ ପ୍ରସନ୍ନେ ।୧୮୨।୩୪୦।
***************