ରାମ ଦଶରଥପୁତ୍ର ।
ଲକ୍ଷ୍ମଣ ଦଶରଥପୁତ୍ର ।
ଭରତ ଦଶରଥପୁତ୍ର ।
ଶତ୍ରୁଘ୍ନ ଦଶରଥପୁତ୍ର ।
ସୁଗ୍ରୀବ କିସ୍କିନ୍ଧ୍ୟାରାଜ ।
ହନୁମାନ ସଚିବ ।
ଅଙ୍ଗଦ ଯୁବରାଜ ।
ସୁଷେଣ ଭିଷକ୍ ।
ନଳ ସ୍ଥପତି ।
ନୀଳ ସେନାପତି ।
ଜାମ୍ବବାନ ଋକ୍ଷରାଜ ।
ମୈନ୍ଦ ଅଶ୍ୱିପୁତ୍ରଦ୍ୱୟ ।
ଦ୍ୱିବିଦ ଅଶ୍ୱିପୁତ୍ରଦ୍ୱୟ ।
ରାବଣ ଲଙ୍କାଧିପତି ।
ବିଭୀଷଣ ରାବଣ-ଭ୍ରାତା
ସୁପାର୍ଶ୍ୱ ରାବଣ-ମନ୍ତ୍ରୀ ।
ମହାପାର୍ଣ୍ୱ ରାବଣ ସେନାପତି ।
ମହୋଦର ରାବଣ ସେନାପତି ।
ବିରୂପାକ୍ଷ ରାବଣ ସେନାପତି ।
ମାଳତି ଇନ୍ଦ୍ର-ସାରଥି ।
ଭରଦ୍ୱାଜ ଋଷି ।
ସାନନ୍ଦ ଅଯୋଧ୍ୟାବାସୀ ।
ଶୋଭନ ଅଯୋଧ୍ୟାବାସୀ ।
ବଶିଷ୍ଠାଦି ମହର୍ଷିଗଣ ।
ସ୍ତ୍ରୀ
ରାବଣ-ସାରଥି, ଶିଷ୍ୟବର୍ଗ, ଡଗର, ଭାରୁଆ, ଦଣ୍ଡଚାମରଧାରୀ, ମନ୍ତ୍ରୀବର୍ଗ, ସଙ୍ଗୀତଦଳ, ସୈନିକଗଣ, ବନ୍ଦୀଚତୁଷ୍ଟୟ ଇତ୍ୟାଦି ।
ସୀତା ରାମ-ପତ୍ନୀ ।
ଊର୍ମିଲା ଲକ୍ଷ୍ମଣ-ପତ୍ନୀ ।
ମାଣ୍ଡବୀ ଭରତ-ପତ୍ନୀ ।
ଶ୍ରତୃକୀର୍ତ୍ତି ଶତ୍ରୁଘ୍ନ-ପତ୍ନୀ ।
ପ୍ରମଦା ସହଚରୀ ।
ସୁନନ୍ଦା ଗାୟିକା ।
କୌଶଲ୍ୟା ରାମ-ମାତା ।
କୈକେୟୀ ଭରତ-ମାତା ।
ସୁମିତ୍ରା ଲକ୍ଷ୍ମଣଶତ୍ରୁଘ୍ନ-ମାତା ।
ମନ୍ଦୋଦରୀ ରାବଣ-ପତ୍ନୀ ।
ସରମା ବିଭୀଷଣ-ପତ୍ନୀ ।
ଚଣ୍ଡୋଦରୀ ରାକ୍ଷସୀ ।
ପ୍ରଷ୍ୱସା ରାକ୍ଷସୀ ।
ଅଜାମୁଖୀ ରାକ୍ଷସୀ ।
ତାରା କିସ୍କିନ୍ଧ୍ୟର ମହିଷୀ ।
ରୁମା କିସ୍କିନ୍ଧ୍ୟର ମହିଷୀ ।
ରାକ୍ଷସୀଗଣ, ପରିଚାରିକାବର୍ଗ, ଦାସୀ, ଯୋଗିନୀଗଣ, ବେହେରାଣୀ, ପୁରନାରୀ, ଅଦୃଷ୍ଟକୁମାରୀ ଇତ୍ୟାଦି ।
* ସନ ୧୯୧୭ ଖ୍ରୀଷ୍ଟାବ୍ଦରେ ରଚିତ ଓ ଅଭିନୀତ ।
ପ୍ରସ୍ତାବନା
[ଗୀତ ଗାଉଁ ଗାଉଁ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]
ଅ, କୁ ।- (ନୃତ୍ୟସହିତ ଗୀତ ।)
ରାଗିଣୀ ସିନ୍ଧୁଖମ୍ବାଜ । ତାଳ ଯତ୍ ।ଯେ ପିଇଛି ରାମାମୃତ ଧରା ତାକୁ ମୋକ୍ଷପଥ ।
ଧରା ଢାଳେ ସୁଧାଧାରା ଜନମ କରେ କୃତାର୍ଥ । ଘୋଷା ।।
ଜନକ-ଜନନୀ-ବାଣୀ ଅକାତରେ କେହୁ ମାନି
ରାଜଶ୍ରୀ ସମ୍ପଦ ପୁଣି ଛାଡ଼ି ବନେ ବାସ ଘେନି,
କେ କାମିନୀ-କାମବାଣୀ ହେଳେ ପକାଇଛି ହାଣି,
ସାଧୁ ପରିତ୍ରାଣ ମଣି କରିଛି ଶ୍ରମ ଯଥାର୍ଥ । ୧ ।
କେ ଲଙ୍ଘିଛି ପାରାବାର ବାନ୍ଧ ସେତୁ ସୁବିଶାଳ,
ବଧି ରାକ୍ଷସ କରାଳ ହରିଲେ ପୃଥିବୀ-ଭାର,
ସହି କ୍ଳେଶ ଅକୂପାର କେ କରେ ସତୀ ଉଦ୍ଧାର,-
ଜୟ-ବୈଜୟନ୍ତି ତାର ଉଡ଼ୁଛିଆଜି କେମନ୍ତ । ୨ ।
ପାଇ ଯାର ସଖାପଣ ଲଙ୍କେଶ୍ୱର ବିଭୀଷଣ
ସୁଗ୍ରୀବ କିଷ୍କିନ୍ଧ୍ୟାରାଣ ସୁଖେ କଲେ ଅଧିଷ୍ଠାନ,
ନଳ ନୀଳ ହନୁମାନ ସୁଷେଣାଦି ସର୍ବେ ଜାଣ
ଗୁଣେ ବଶ ମାନି ପ୍ରାଣ ସମର୍ପି ସଂସାର-ମୁକ୍ତ । ୩ ।
ଗାଅ ରାମ-ଗୁଣରାଶି ଅକଳଙ୍କ ଯଶ ଘୋଷି
କରମେ ଅଳସ ନାଶି ଭୁଞ୍ଜ ସୁଖ ଦିବାନିଶି;
ଧର୍ମେ ଲାଭ ଜୟଶଶୀ ଅଧର୍ମ-ଅନ୍ଧାର-ଗ୍ରାସୀ,-
ସେ ଆଦର୍ଶ ପରକାଶି ଭୁଞ୍ଜ ସୁଖେ ପରମାର୍ଥ । ୪ ।
ଯବନିକାପତନ ।
[ରାମଚନ୍ଦ୍ର ଓ ସୁଗ୍ରୀବ ଆସୀନ ।]
ରାମ ।- ସଖେ ! ଇନ୍ଦ୍ରଜିତ ଭାରୀ ପ୍ରତାପୀ । ଇନ୍ଦ୍ରକୁ ଜୟକରି ସହଜରେ ତାହାର ଗର୍ବ ବଢ଼ିଥିଲା, ତହିଁ ଉପରେ ମୋତେ ଆଉ ଲକ୍ଷ୍ମଣକୁ ସେଦିନ ନାଗପାଶରେ ବାନ୍ଧିଲା ବୋଲି ସେ ଗର୍ବ ଚତୁର୍ଗୁଣ ହୋଇଛି ! ମହାତେଜା ବନ୍ଧୁବର ଗରୁଡ଼ ହେତୁ ସେ ବାଣବନ୍ଧନରୁ ଉଦ୍ଧାର ପାଇଲୁଁ । ବାଳିପୁତ୍ର ଯୁବରାଜ ଅଙ୍ଗଦ ନିଶାଯୁଦ୍ଧରେ ସାରଥି ଓ ଘୋଡ଼ାମାନଙ୍କୁ ବଧକରି ଇନ୍ଦ୍ରଜିତକୁ ଅପମାନିତ କରିଥିଲେ-ଇନ୍ଦ୍ରଜିତ ମଧ୍ୟ ହାରି ପଳାଇ ଯାଇଥିଲା ତଥାପି ସେ ଜାଣି ଶୁଣି ପୁନର୍ବାର ଆପଣାକୁ ଯୁଦ୍ଧାନଳରେ ପକାଇଛି ।
ସୁଗ୍ରୀ ।- ତାର ପିତା ରାବଣର ବଳ ମୁଁ ଲଙ୍କାବେଷ୍ଟନ ପୂର୍ବରୁ ଦ୍ୱନ୍ଦଯୁଦ୍ଧରେ କଳି ନେଇଛି । ଯେଉଁ ରାବଣ ଯୁଦ୍ଧରେ ଥକାହୋଇ ମୁଁ ଉପରେ ଥିବାରୁ ଆଖି ତରାଟି ରହି ଯାଇଥିଲା ଇନ୍ଦ୍ରଜିତ ତାହାରି ପୁତ୍ର । ମହାବୀର ଲକ୍ଷ୍ମଣଙ୍କ ନିକଟରେ ସେ ଛାରପୋକ ପରି ।
ରାମ ।- ତା ସତ, ମାତ୍ର ବିଭୀଷଣ ଲକ୍ଷ୍ମଣଙ୍କୁ ସଙ୍ଗେଘେନି ଗଲା ଉତ୍ତାରୁ ତିନିଦିନ ତିନିରାତି ଚାଲିଗଲା, ଅଥଚ ଯୁଦ୍ଧର ବିରାମ ନାହିଁ । ବାଣର ଶବ୍ଦରେ ମେଦିନୀ କମ୍ପିତ ହେଉଛି । ସାଗରଗଜନରୂପ ଉଭୟକୁଳର ଅଗଣିତ ସେନାଙ୍କ ସମରନିନାଦ ସଙ୍ଗେ ମେଘ-ଘଡ଼ଘଡ଼ପରି ବାଣ-ନିର୍ଘୋଷ ଆକାଶ ପାତାଳ ଅବିରତ ଚହଳାଉଛି ବିଜୁଳିରୁ ବଳି ବାଣାଲୋକ ଦିଗ୍ବିଦିକ ଚମକାଇ ଆଖି ଝଲସାଉଛି । ଥରେ ଥରେ ତାହା ରହିଗଲାମାତ୍ରକେ ମୋର ମନରେ ଛନକା ପଶିଯାଏ ଆଉ ଲକ୍ଷ୍ମଣର ବିପଦ ହେଲାକି ବୋଲି ମନ ଘାଣ୍ଟି ହୁଏ ।
ସୁଗୀ ।- ଜୀବନସଖେ ! ପ୍ରିୟଜନର ବିପଦ ଆଗେ ମନରେ ଉଦୟ ହେବା ସ୍ୱାଭାବିକ । ମାତ୍ର ଆପଣ ବୀର ଲକ୍ଷ୍ମଣଙ୍କର ବିପଦାଶଙ୍କା ନ କରନ୍ତୁ । ତହିଁରେ ପୁଣି ରାକ୍ଷସବୀର ସ୍ୱୟଂ ବିଭୀଷଣ ତାଙ୍କର ସହାୟରୂପେ ପ୍ରାଣ ପରି ଜଗିଛନ୍ତି। ବିଭୀଷଣଙ୍କ ଭୀଷଣ ଗଦା ଆଗରେ ଇନ୍ଦ୍ରଜିତ ଛାର । ପୁତୁରା ବୋଲି ଇନ୍ଦ୍ରଜିତ ପ୍ରତି ସ୍ନେହ ଉଦାରଚରିତ ବିଭୀଷଣଙ୍କ ମନରେ ଜଗି ଥିଲେହେଁ ବେଳେ ବେଳେ ପୁତୁରାର ପୁରୁଷ କଥା ସହି ନପାରି ଯୁଦ୍ଧକରି ଅପମାନ ଦେବାକୁ ସେ ଛାଡ଼ନ୍ତି ନାହିଁ । ବିଭୀଷଣଙ୍କ ମନ୍ତ୍ରୀ ଚାରିଜଣ ମଧ୍ୟ କେହି କାହାରିକି ଊଣା ନୁହନ୍ତି ।
ରାମ ! - ତାହା ଯଥାର୍ଥ-ରାକ୍ଷାସକୁଳରେ ଜନ୍ମ ଗ୍ରହଣକରି ଏମନ୍ତ ସାଧୁଚରିତ୍ର ଆଉ ବିଶ୍ୱାସୀ ବନ୍ଧୁ ମିଳିବା ଦୁଷ୍କର । ସ୍ୱାମୀ ଭଲହେଲେ ଭୃତ୍ୟ ଯେ ଭଲ ହୁଅନ୍ତି ତାହା ତାଙ୍କର ଚାରି ମନ୍ତ୍ରିଙ୍କି ଦେଖିଲେ ଉତ୍ତମ ରୂପେ ଜଣାଯାଏ । ରାବଣ ହିତକଥା ମାନିଲା ନାହିଁ-ସୀତାଙ୍କୁ ସମର୍ପଣ କରି ମୋ ସଙ୍ଗେ ସନ୍ଧିତ କଲାନାହିଁ, ବରଂ ତହିଁ ଉପରେ ପେଟର ଭାଇକୁ ଯା’ଇଚ୍ଛା ଗାଳିଦେଇ ସଭାମଧ୍ୟରେ ଅପମାନ କରିବାରୁ ବିଭୀଷଣ ଆଉ କେତେ ସହିବେ ? ସେ ମୋର ଆଶ୍ରୟ ନେବାକୁ ଚାଲି ଆସିବା ସଙ୍ଗେ ସଙ୍ଗେ ବିଶ୍ୱାସୀ ସହଚରମାନେ ଚାଲି ଆସିଲେ । ସେ ଚାରି ଜଣ ଚାରିସହସ୍ର ଲୋକର କାର୍ଯ୍ୟ କରୁଛନ୍ତି ।
ସୁଗ୍ରୀ ।- ବିନାଶକାଳେ ବିପରୀତବୁଦ୍ଧି ! ରାବଣକୁ ସବଂଶେ ମରିବାର ଯୋଗ ଅଛି ଭାଇଙ୍କ ଭଲକଥା ତାଙ୍କୁ ରୁଚିବ କାହିଁକି ? ଏକା ବିଭୀଷଣ ଆସି ନ ଥିଲେ ଆମ୍ଭେମାନେ ରାକ୍ଷସଙ୍କ ଭେଦପାଇ ନ ଥାନ୍ତୁଁ,-କିଏ ଆମ୍ଭମାନଙ୍କୁ କହିଥାନ୍ତା ନିକୁମ୍ଭିଲା ଯଜ୍ଞ ସମାପନ କରି ଇନ୍ଦ୍ରଜିତ ଯୁଦ୍ଧକୁ ଆସିଲେ ଚରାଚରରେ ଏମନ୍ତ କେହିନାହିଁ ଯେ ଇନ୍ଦ୍ରଜିତକୁ ମାରିପାରେ । ନିକୁମ୍ଭିଲା ଯଜ୍ଞ ଯେତେବେଳେ ଭଙ୍ଗ ହୋଇଛି ତେତିକି ବେଳୁଁ ରାବଣର ଛତ୍ରଭଙ୍ଗସଙ୍ଗେ ଇନ୍ଦ୍ରଜିତର ଦର୍ପ ତୁଟିଛି ।
ରାମ ।- ସେ କଥା ସତ । ବିଭୀଷଣ ନ ଥିଲେ ଭେଦ ବାହାରି ନ ଥାନ୍ତା ।-ସଖେ, ମୋତେ ଧର୍ମ ସହାୟ । ମୁଁ ଧର୍ମକୁ ଜଗିଛି ବୋଲି ମୋତେ ସବୁ ଅନୁକୂଳ ହୋଇଛି । ବିଭୀଷଣ ଆସିବାତ କାଲିରକଥା- ମୁଁ ତୁମ୍ଭଙ୍କୁ ସଖାରୂପେ ପାଇ ନ ଥିଲେ ଏ ଯାକ ଆସିବା କାଠିକ ପାଠ ହୋଇଥାନ୍ତା ! ତୁମ୍ଭେ ସଖା ହୋଇଥିଲ ବୋଲି ତୁମ୍ଭସଙ୍ଗେ ବିଶ୍ୱକର୍ମାନନ୍ଦନ ସ୍ଥପତି ପ୍ରବର ନଳ ଆସି ଅଦ୍ଭୁତ କୌଶଳ ଓ କଳ ଲଗାଇ ପାଞ୍ଚଦିନରେ ସମୁଦ୍ର ଉପରେ ଶତ ଯୋଜନ ଦୀର୍ଘ ଦଶ ଯୋଜନ ବିସ୍ତୃତ ସୁବିଶାଳ ସେତୁ ନିର୍ମାଣ କଲେ । ସେତୁ ନୋହିଥିଲେ ଆକାଶବିମାନରେ ସୁଦ୍ଧା କେତେ ସେନା କେତେ ଦିନରେ ସମୁଦ୍ର ପାରିକରାଇ ଲଙ୍କାରେ ପଦାର୍ପଣ କରିଥାନ୍ତ ? ଆଉ ତହିଁରେ ବିପଦ କେତେ ? ଶତ୍ରୃପକ୍ଷରେ ଆକାଶବିମାନ ଊଣାନାହିଁ-ଯୁଦ୍ଧକରି ଆକାଶମାର୍ଗରେ ଅଗଣିତ ସେନା ସମୁଦ୍ର ପାର କରାଇ ଆଣିବା ଅସାଧ୍ୟ ।
ସୁଗ୍ରୀ ।- ମୋତେ ଏକା ଧର୍ମ ସହାୟ !-ମୁଁ ଜଗି ଚାଲି ନ ଥିଲେ ମୋର ଅଧାର୍ମିକ ବଡ଼ଭାଇକି ବିଧକରି ମୁଁ ବାସ ଆଉ ଭାର୍ଯ୍ୟା ଫେରି ପାଇବା ସକାଶେ ଆପଣଙ୍କୁ ସଖାରୂପେ ପାଇ ଥାନ୍ତି କି ? ଈଶ୍ୱର ଧର୍ମ-ସେ ସଂସାରରେ ଧର୍ମ ସ୍ଥାପନ କରିବା କାରଣ ଦୁଷ୍କୃତ ପାପଚାରିମାନଙ୍କୁ ମାରିବାର ବାଟ କାଟୁଛନ୍ତି । ସେହିହେତୁ ଦୁର୍ମତିରାବଣ ବଳ ପୂର୍ବକ ସ୍ତ୍ରୀ ସମ୍ଭୋଗ କରି ନ ପାରିବା ଜାଣୁ ଜାଣୁ ଲକ୍ଷ୍ମୀସ୍ୱରୂପା ମହାସତୀ ସୀତାଦେବୀଙ୍କି ପଞ୍ଚବଟୀରୁ ହରଣ କରି ଘେନିଗଲା । ସେ କି ଜାଣେ ନା ଯେ ପୁଞ୍ଜିକାସ୍ଥଳୀ ଅପ୍ସରା ଆକାଶବାଟେ ବ୍ରହ୍ମାଙ୍କ ନିକଟକୁ ଗଲାବେଳେ ତାକୁ ବଳପୂର୍ବକ ଓଗାଳି ଉପଭୋଗ କରିବାରୁ ସେ ବ୍ରହ୍ମାଙ୍କ ଆଗରେ ଜଣାନ୍ତେ ବ୍ରହ୍ମା ଅଭିଶାପ ଦେଇଥିଲେ ଯେ ବଳପୂର୍ବକ କୌଣସି କାମିନୀ ସମ୍ଭୋଗ କଲେ ତାହାର ମୁଣ୍ଡ ଶଏଫାଙ୍କ ହୋଇ ଫାଟିଯିବ ? -ତା କାହିଁକି ରାବଣର ମୃତ୍ୟୁଯୋଗ ବିଧାତା ଶୂର୍ପଣଖାଠାରୁ ସୂତ୍ରପାତ କରିଛନ୍ତି । ପାପାତ୍ମା ରାବଣର ଦୁଶ୍ଚରିତ୍ରା ଭଉଣୀ ଶୂର୍ପଣଖା ଧର୍ମଛାଡ଼ି ଆପଣଙ୍କୁ ଆସକ୍ତ କରିବାକୁ ଆସିଥିଲା, ଆପଣ ଧର୍ମ ଜଗି ତାକୁ କୁରୂପା କରିବାର ଆଦେଶ ଦିଅନ୍ତେ ଧର୍ମର ଅନୁଚର ଯେଉଁ ବୀର ଲକ୍ଷ୍ମଣ ତୀକ୍ଷ୍ଣ ତରବାରିରେ ତାହାର ନାକକାନ କାଟିଥିଲେ ସେହି ଲକ୍ଷ୍ମଣ ଆଜି ଇନ୍ଦ୍ରଜିତକୁ ମାରି ରାବଣର ମାରିବାବାଟ ମୁକୁଳାଇବେ । ଆପଣ କିଛିମାତ୍ର ଚିନ୍ତା ନ କରନ୍ତୁ,-ବୀର ହନୁମାନ, ଜାମ୍ବବାନ, ଅଙ୍ଗଦ ଇତ୍ୟାଦି ସମସ୍ତେ ରଣକ୍ଷେତ୍ରରେ ଲକ୍ଷ୍ମଣଙ୍କର ସହାୟ ଅଛନ୍ତି ।
ନେପଥ୍ୟେ ।- (ଘୋର କୋଳାହଳ ।)
ରାମ ।- (ଟିକିଏ କାନଡେରି) ସଖେ ! ଏ କି ? ଘୋର କୋଳାହଳ ଶୁବିଲା !
ସୃଗୀ ।- ମୋତେ ବୋଧହୁଏ ଆମ୍ଭମାନଙ୍କର ଜୟଲାଭ ହେଲା । ଲକ୍ଷ୍ମଣର ଜୟ ଶୁବୁ ନାହିଁକି ? ଆକାଶର ଦୁନ୍ଦୁଭିଧ୍ୱନି ଆଉ ପୁଷ୍କବୃଷ୍ଟିରୁ ସନ୍ଦେହ ରହୁନାହିଁ ।
ରାମ ।- ମୋତେ ସେହିପ୍ରାୟ ଜଣାପଡ଼େ । କୋଳାହଳ ଏହିଆଡ଼େ ଧାଇଁ ଆସୁଛି ।
ନେପଥ୍ୟେ ।- (‘ଜୟ ଲକ୍ଷ୍ମଣର ଜୟ’ କୋଳାହଳ ଶବ୍ଦ ।)
ସୁଗ୍ରୀ ।- ନିଶ୍ଚୟ ଆମ୍ଭମାନଙ୍କର ଜୟ ହେଲା !
[ବିଭୀଷଣ ଓ ହନୁମାନ ଉପରେ ଭର ଦେଇ ଲକ୍ଷ୍ମଣର ଓ ‘ଜୟ ଲକ୍ଷ୍ମଣର ଜୟ’ ଶବ୍ଦକରି ଅଙ୍ଗଦ, ଜାମ୍ବବାନ, ସୁଷେଣ ଓ ଅନ୍ୟ ସେନାଗଣର ପ୍ରବେଶ ।]
ବିଭୀ ।- (ଆନନ୍ଦରେ) ମହାତେଜା ଲକ୍ଷ୍ମଣ ରାବଣିର ମୁଣ୍ଡ କାଟିପକାଇଲେ ।
ଲକ୍ଷ୍ମ ।- (ରାମଚନ୍ଦ୍ରଙ୍କୁ ପ୍ରଦକ୍ଷିଣ କରଣ ।)
ରାମ ।- ବିଭୀଷଣ ! ତୁମ୍ଭର ପ୍ରସନ୍ନ ମୁଖ ଓ ସନ୍ତୋଷ ଭାବ ଦେଖି ମୁଁ ମନେ କରିଥିଲି ଇନ୍ଦ୍ରଜିତ ନିହତ ହୋଇଛି । (ଉଠି ଲକ୍ଷ୍ମଣକୁ ଧରି) ସାଧୁ ଲକ୍ଷ୍ମଣ ! ତୁମ୍ଭର ଦୁଷ୍କର କାର୍ଯ୍ୟରେ ମୁଁ ସନ୍ତୁଷ୍ଟ ହେଲି । ଇନ୍ଦ୍ରଜିତର ବିନାଶରେ ଏବେ ଜୟ ହେଲା ବୁଝିରଖ । (ଲକ୍ଷ୍ମଣର ମସ୍ତକ ଆଘ୍ରାଣ କରି ଧରିବସି ଦେହରେ ବାହୁ ବେଷ୍ଟନ ପୂର୍ବକ କୋଳରେ ବସାଇ ବାରମ୍ବାର ସସ୍ନେହ ଦୃଷ୍ଟିପାତ କରି) ଭାଇ ଲକ୍ଷ୍ମଣ ! ତୁମ୍ଭେ ଦୁଷ୍କର କାର୍ଯ୍ୟଦ୍ୱାରା ପରମ କଲ୍ୟାଣକର କାର୍ଯ୍ୟ କରିଛ ।-ପୁତ୍ର ହତ ହେବାରୁ ଯୁଦ୍ଧରେ ରାବଣ ନିହତ ହେଲା ବୋଲି ମୋତେ ଲାଗୁଛି । ବୀର ! ସେହି ଦୂରାତ୍ମା ନିହତ ହେବାରୁ ଆଜି ମୁଁ ଆପଣାକୁ ବିଜୟୀ ବୋଲି ମଣୁଛି । ଲକ୍ଷ୍ମଣ ! ଇନ୍ଦ୍ରଜିତ ରାବଣର ଏକମାତ୍ର ଭରସା ଥିଲା । ଆଜି ତୁମ୍ଭେ ତାହାକୁ ମାରି ନିଷ୍ଠୁର ରାବଣର ଡାହାଣ ହାତ ଛିଣ୍ଡାଇ ଦେଇଛ । ବିଭୀଷଣ ଓ ହନୁମାନ ଯୁଦ୍ଧକୁ ଯାଇ ଅତି ମହତ୍କାର୍ଯ୍ୟ କରିଛନ୍ତି । ତିନିଦିନ ତିନିରାତି ଅବିରାମ ଲଢ଼ି ତାହାକୁ ନିପାତ କରିଛ। ମୁଁ ଆଜି ନିଃଶତ୍ରୁ ହେଲି । ଆଜି ରାବଣ ବାହାରିବ-ଢେର ବଳବ୍ୟୁହ ଘେନି ରାବଣ ବାହାରିବ-ପୁଅ ହାଣ ଖାଇବା କଥା ଶୁଣି ବିସ୍ତର ଅସୁରସେନା ସଜାଇ ଆସିବ । ପୁତ୍ରଶୋକାତୁର ହୋଇ ସେ ବାହାରିଲେ ମୁଁ ଅସୀମ ସେନାବଳରେ ମାଡ଼ିଯାଇ ଦୁର୍ଜୟ ରାକ୍ଷସରାଜକୁ ହାଣି ପକାଇବି । ଇନ୍ଦ୍ରଜିତବିଜୟୀ ତୁମ୍ଭେ ମୋର ସହାୟ ଥିଲେ ପୃଥିବୀ କିମ୍ବା ସୀତା କିଛିହିଁ ମୋତେ ଦୁର୍ଲଭ ହେବ ନାହିଁ । ଭାଇ ଲକ୍ଷ୍ମଣ । ମୋର ଯେଉଁ ଆନନ୍ଦ ହୋଇଛି ତାହା କଥାରେ କହି ନୁହେ ମାତ୍ର ତୁମ୍ଭେ ଗୋଟାପଣେ ରକ୍ତରେ ଗାଧୋଇଛ-ଦେହରେ ବାଣପଶି ଠାକୁ ଠା ଘା ହୋଇ ଯାଇଛି । ଏକେ ତୁମ୍ଭେ ନୁହ-ବିଭୀଷଣ, ହନୁମାନ, ଜାମ୍ବବାନ, ଅଙ୍ଗଦ ଓ ସବୁସେନାଦଳ ଊଣାଅଧିକ ରକ୍ତରେ ବୁଡ଼ି ରହିଛନ୍ତି । ଯାଅ, ସମସ୍ତେ ବିଶ୍ରାମକର-ବୈଦ୍ୟରାଜ ବୀର ସୁଷେଣ ଚିକିତ୍ସା କରିବେ ।
ଲକ୍ଷ୍ମ ।- (ରାମଚନ୍ଦ୍ରଙ୍କର କୋଳରୁ ଉଠି ପାର୍ଶ୍ୱେ ବସି) ଆପଣଙ୍କ ଭଳି ବଡ଼ଭାଇଙ୍କ କାର୍ଯ୍ୟ କରିବାରେ ମୁ ଦେହକୁ ତୁଚ୍ଛ ଜ୍ଞାନ କରେଁ ।
ରାମ ।- ସୁଷେଣ ! ମହାପ୍ରାଜ୍ଞ ମିତ୍ରବତ୍ସଳ ସୁମିତ୍ରାନନ୍ଦନ ଯହିଁରେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ଏଭଳି ଔଷଧ ଦିଅ ଆଉ ସଙ୍ଗେ ସଙ୍ଗେ ସହୃଦ୍ ବିଭୀଷଣ ଓ ତାଙ୍କର ସହଚର ଓ ଅପର ସୈନିକମାନଙ୍କର ପୀଡ଼ା ନିବାରଣ କର । ତୁମ୍ଭେ ଚିକିତ୍ସାଶାସ୍ତ୍ରରେ ସୁଦକ୍ଷ । ତୁମ୍ଭର ଚମତ୍କାର ଔଷଧଦ୍ୱାରା କ୍ଷଣମାତ୍ରକେ ଆରୋଗ୍ୟ ଲାଭହେବା ହେତୁ ଯୁଦ୍ଧରେ ବିଶେଷ ସାହାଯ୍ୟ ହୋଇଛି ।
ସୁଷେ ।- ଯୁଦ୍ଧବେଳେ ସେଭଳି ଔଷଧ ନ ହେଲେ ଚାଲେ କି ? (ବଟୁଆରୁ ଔଷଧ ବାହାର କରି ଲକ୍ଷ୍ମଣ, ବିଭୀଷଣ, ହନୁମାନ ପ୍ରଭୃତି ସମସ୍ତଙ୍କର ନାକରେ ପରମୌଷଧ ପ୍ରଦାନ ।)
ସୁଗ୍ରୀ ।- ସୁଷେଣଙ୍କୁ ସ୍ୱୟଂ ଧନ୍ୱନ୍ତରି କହିଲେ ଚଳେ । ତାଙ୍କର ଚିକିତ୍ସା ଯେମନ୍ତ ଆଶ୍ଚର୍ଯ୍ୟ ଔଷଧର ଗୁଣ ମଧ୍ୟ ତେମନ୍ତ ଅଦ୍ଭୁତ । ଦେଖନ୍ତୁ କ୍ଷଣମାତ୍ରକେ ସମସ୍ତଙ୍କର କ୍ଷତ ଆରୋଗ୍ୟ ହୋଇ ଦେହର ବର୍ଣ୍ଣ ଉଜ୍ଜ୍ୱଳ ହୋଇଗଲା । ଲକ୍ଷ୍ମଣ, ବିଭୀଷଣ ଓ ସକଳ ବୀରପୁରୁଷମାନଙ୍କର ଶରୀରରେ ଅସଂଖ୍ୟ ଶର ବିଦ୍ଧହୋଇଥିବାରୁ କେମନ୍ତ ଘୋର ଯୁଦ୍ଧ ହୋଇଥିଲା ସହଜରେ ଅନୁମାନ ହୋଇପାରେ । ଯାହାର ମୃତ୍ୟୁ ନିଶ୍ଚିତ ସେ ପୁଣି ମାୟାସୀତା ବଧକରି ଆମ୍ଭମାନଙ୍କୁ ରଣକ୍ଷେତ୍ରରୁ ନିରସ୍ତ କରିବାକୁ ବସିଥିଲା !
ରାମ ।- ବିଭୀଷଣ ନ ଥିଲେ ଆମ୍ଭେମାନେ ପ୍ରକୃତ ବିଷୟ ଜାଣି ପାରି ନ ଥାନ୍ତୁଁ । ସେ ତ ଆକାଶରେ ଥାଇ ଅଦୃଶ୍ୟଭାବରେ ଯୁଦ୍ଧ କରୁଥିଲା, ହଠାତ୍ ସେପରି ଛଳନା କରିବ ବୋଲି କିଏ ଜାଣିଥିଲା !
ବିଭୀ ।- ସେ ଛଳନାକେବଳ ସମୟ ନେବା ଲାଗି । ସୀତା ବଧହେଲେ ଯୁଦ୍ଧ ନିଷ୍ଫଳ ଜାଣି ଆପଣ ସେନା ସହ ଫେରି ଯିବେ ଅଥବା ଶୋକାକୁଳିତ ହୋଇ କର୍ତ୍ତବ୍ୟ ନିର୍ଦ୍ଧାରଣ କରୁ କରୁ ସେ ନିକୁମ୍ଭିଳାଯଜ୍ଞ ଶେଷ କରି ପୁଣି ରଣକ୍ଷେତ୍ରକୁ ଆସି ଗୋଟିକଠୁଁ ସମସ୍ତଙ୍କୁ ମାରି ପକାଇବାର ବାସନା ରଖିଥିଲା । ମୁଁ ଲକ୍ଷ୍ମଣଙ୍କୁ ଘେନି ସେନାସହ ଗଲା ବେଳକୁ ସେ ବଟମୂଳକୁ ଆସି ନ ଥିଲା । ସେହି ସମୟରୁ ଯୁଦ୍ଧାରମ୍ଭ ହୁଅନ୍ତେ ରାବଣିର ଯଜ୍ଞସମାଧ ହୋଇ ପାରିଲା ନାହିଁ । ତାର ମାୟା ମୋତେ ଅଗୋଚର ନୁହେ । ସେ ବୀର ଲକ୍ଷ୍ମଣଙ୍କୁ ପାରିବ ନାହିଁ ବୋଲି ମୁଁ ଆଗରୁ ଚେତାଇ ଦେଇଥିଲି । ମୋ ସଙ୍ଗେ ସୁଦ୍ଧା ତାର ଘୋରଯୁଦ୍ଧ ହେଲା । ମୋର ନିକଟରୁ ପଳାଇ ଯାଇ ଲକ୍ଷ୍ମଣଙ୍କୁ ଆଡ଼କୁ ଧାଇଁବାରୁ ଆହୁରି ଭୟଙ୍କର ଯୁଦ୍ଧହେଲା । ବାଣ ବାଣରେ ଆକାଶ ଛାଇ ହୋଇ ଅନ୍ଧାର ଦିଶିଲା । ଲକ୍ଷ୍ମଣ ଇନ୍ଦ୍ରଜିତ ରଥର କନକମଣ୍ଡିତ କଳାଘୋଡ଼ା ଚାରୋଟି ମାରି ସାରଥିର ମୁଣ୍ଡ କାଟି ପକାଇଲେ । ସେହି ସମୟରେ ଆମ୍ଭମାନଙ୍କର ପ୍ରମାଥୀ, ରଭସ, ଶରଭ ଓ ଗନ୍ଧମାଦନ ବୀରମାନେ ଇନ୍ଦ୍ରଜିତର ଅନ୍ୟଚାରି ଘୋଡ଼ା ଉପରେ ପଡ଼ି ତାକୁ ଦଳି ମାରି ପକାଇ ରଥକୁ ଭାଙ୍ଗି ଦେଲେ । ବାଣମାରୁ ମାରୁ ଇନ୍ଦ୍ରଜିତ ରଥରୁ ଓହ୍ଲାଇ ତଳେ ଲକ୍ଷ୍ମଣଙ୍କ ଆଡ଼କୁ ଧାଇଁ ଆସିଲା ମାତ୍ର ସର୍ବାଙ୍ଗ ବାଣବିଦ୍ଧ ହେଲାରୁ ପଳାଇ ଯାଇ ପୁଣି ଗୋଟାଏ ଅସିପ୍ରାସଶରସଂଯୁକ୍ତ କାଞ୍ଚନଭୂଷିତ ମନୋହର ରଥରେ ଆସି ଭାରୀ ବଳପ୍ରକାଶ କରି ଲଢ଼ିଲା । ଲକ୍ଷ୍ମଣଙ୍କ ଦେହ ସର୍ବାଙ୍ଗ ବାଣବିଦ୍ଧ ହୋଇ ଗଲେ ସୁଦ୍ଧା ସେ ଅକାତରରେ ଲଢ଼ିଲେ । ଉଭୟ ସେନାବଳରେ ସୁଦ୍ଧା ଲଢ଼ାଇ ଊଣା ହୋଇ ନାହିଁ । କେତେ ବାଣ କଟିଗଲା, କେତେ ଦେହରେ ଲାଗିଲା, କିଏ ତାହାର ଇୟତ୍ତା କରିବ ? ଯେତେବାଣ ଲାଗୁଥାଏ ଆମ୍ଭମାନଙ୍କ ସେନାଏ ତେତେ ଉତ୍ସାହରେ ବାଣ ପେଷୁଥାନ୍ତି । ଲକ୍ଷ୍ମଣ ଇନ୍ଦ୍ରଜିତର ଧନୁ କାଟି ପକାଇବାରୁ ସେ ଆଉ ଗୋଟିଏ ଧନୁନେଇ ଗୁଣ ଲଗାଉ ଲଗାଉ ଲକ୍ଷ୍ମଣ ତାହାକୁ ସୁଦ୍ଧା କାଟି ପକାଇ ପାଞ୍ଚ ଗୋଟି ବାଣରେ ତାହାର ବକ୍ଷ ଭେଦ କରିବାରୁ ସେ ରକ୍ତବାନ୍ତି କଲା । ତଥାପି ହଟି ନ ଯାଇ ଅନ୍ୟ ଧନୁ ଘେନି ଲଢ଼ିଲା । ପୁଣି ତାହାର ସାରଥି ଓ ଘୋଡ଼ାମାନ କଟା ହେଲା । କୂଟ, ମୃଦ୍ଗର, ଶୂଳ, ଭୁଶୁଣ୍ଡି, ଗଦା, ଖଡ଼୍ଗ, ପ୍ରଭୃତି ଅସ୍ତ୍ର ପରିଚାଳନର ମଧ୍ୟ ସୀମା ରହିଲାନାହିଁ । ଇନ୍ଦ୍ରଜିତର ଆଗ୍ନେୟ ଅସ୍ତ୍ର ଲକ୍ଷଣ ସୌର୍ଯ୍ୟ ଅସ୍ତ୍ରରେ କାଟିଲେ । ଅବଶେଷରେ ଐନ୍ଦ୍ର ଅସ୍ତ୍ର ଦ୍ୱାରା ଇନ୍ଦ୍ରଜିତର ବିରାଟକୁଣ୍ଡଳା ବୃତ ମୁଣ୍ଡ କଟାଯାଇ ଭୂଇଁରେ ଗଢ଼ିବାରୁ ଯେଉଁ ରାକ୍ଷସ ସେନା ବଞ୍ଚିଥିଲେ ସେମାନେ ପଟ୍ଟିଶ, ପରଶୁ ପ୍ରଭୃତି ଅସ୍ତ୍ରମାନ ଛାଡ଼ି ଡରେ ପଳାଇ ଗଲେ ।
ରାମ ।- ସାଧୁ ! ସାଧୁ ! ଆଜି ଆମ୍ଭମାନଙ୍କର ସୁପ୍ରଭାତ । ଆମ୍ଭେମାନେ ମହାସାଗର ପାର ହୋଇ ଆସିଛୁଁ ସତ ମାତ୍ର ରାକ୍ଷସ ଯୁଦ୍ଧରୂପ ସାଗର ପାର ହୋଇନାହୁଁ । ଏତେଦିନେ ପାର ଦିଶିଲା । ଇନ୍ଦ୍ରଜିତ ରାବଣର ପ୍ରଧାନ ବଳ ଥିଲା। ତାର ମୃତ୍ୟୁ ସମ୍ବାଦ ଶୁଣି ରାବଣର ଅଣ୍ଟା ଭାଙ୍ଗିଯିବ । ପ୍ରଧାନପରାକ୍ରମୀ ରାକ୍ଷସମାନଙ୍କୁ ବଧ କରିବାସକାଶେ ସମରବିଦ୍ୟାବିଶାରଦ ସେନାପତି ନୀଳ ଯେପରି ବ୍ୟୂହ ରଚନା କରୁଛନ୍ତି ତାହା ଅଦ୍ଭୁଦ ଏବଂ ସେ ନିଜେ ଯେମନ୍ତ ବୀରଯୋଦ୍ଧା ତେମନ୍ତ ରଣ-ପଣ୍ଡିତ । ମୁଁ ତାଙ୍କଠାରେ ବିଶେଷ ଋଣୀ । ଯୁବରାଜ ଅଙ୍ଗଦ ଯେମନ୍ତ ପରାକ୍ରମୀ ତେମନ୍ତ ରାଜନୀତିଜ୍ଞ । ତାଙ୍କର ରଣକୌଶଳ ଓ ଉପସ୍ଥିତ-ବୁଦ୍ଧି ପ୍ରଶଂସନୀୟ । ବାୟୁବିଦ୍ୟା-ବିଶାରଦ ବେଦଜ୍ୟ ବୀରଶ୍ରେଷ୍ଠ ହନୁମାନ ଅଦ୍ଭୁତ ପରାକ୍ରମୀ । ଆକାଶମାର୍ଗ ତାଙ୍କର ଆୟତ୍ତ । ମୁଁ ତାଙ୍କଠାରେ ନାନାପ୍ରକାରରେ କୃତଜ୍ଞ । ସେ ନ ଥିଲେ କିଏ କଷ୍ଟ ସହି ସୀତାଙ୍କ ସନ୍ଧାନ ଅଣିଥାନ୍ତା ? ସର୍ବୋପରି ଲଙ୍କରାଜ ବିଭୀଷଣ ମହାପରାକ୍ରମଶାଳୀ ଓ ପରମବିଶ୍ୱାସୀ । ମୁଁ ତାଙ୍କୁ ଲଙ୍କାରାଜ୍ୟରେ ଅଭିଷେକ କରିବା ବୃଥା ହେବନାହିଁ । -ସେଥିର ଲକ୍ଷଣ ଦିଶିଲାଣି । ଏସମସ୍ତ ପ୍ରାପ୍ତିର ସ୍ଥଳ ସଖା ସୁଗ୍ରୀବ । ସେ ପ୍ରଜ୍ଞାବାନ୍, ଧୀର ଓ ମହାବୀର । (ସୂଗ୍ରୀବକୁ ଅନାଇ) । ସଖେ ! ଆଜି ଇନ୍ଦ୍ରଜିତନିଧନରେ ତୁମ୍ଭର ଯେଉଁ ମୁଖମଣ୍ଡଳରୁ ଆହ୍ଲାଦରାଶି ଉଛୁଳି ଉଠୁଛି ଚନ୍ଦ୍ର ସୁଦ୍ଧା ତହିଁକି ସରି ହେବ ନାହିଁ ।
ସୁଗ୍ରୀ ।- ଯଥାର୍ଥ କହିଲେ-ମୁଁ ଏତେଦିନେ ରାକ୍ଷସରାଜକୁ ପରାଭବ କରିବା ନିକଟ ଜାଣି ଅତୁଳ ଆନନ୍ଦ ଲଭିଛି । ଭଗବାନଙ୍କ ଇଚ୍ଛାରେ ଅଚିରେ ଆମ୍ଭମାନଙ୍କର କଷ୍ଟ ଦୂର ହେବ ।
ବିଭୀ ।- ମହାତ୍ମନ୍ ! ଏ ଶୁଭଦିନରେ ଆମ୍ଭମାନଙ୍କର ଆନନ୍ଦୋତ୍ସବ କରିବାର ଥିଲା, ମାତ୍ର ତହିଁକି ବେଳ ନାହିଁ । କର୍ତ୍ତବ୍ୟକାର୍ଯ୍ୟରେ ବିଳମ୍ବ ବିନାଶର କାରଣ । ମୁଁ ରାବଣର ସ୍ୱଭାବ ଯେପରି ଜାଣେଁ ସେ ଇନ୍ଦ୍ରଜିତର ନିଧନବାର୍ତ୍ତା ଶୁଣିବାମାତ୍ରକେ ନିଶ୍ଚୟ ପୁତ୍ରଶୋକରେ ଆତୁର ହୋଇ ଯୁଦ୍ଧକୁ ବାହାରିବ । ତେଣୁ କାଳବିଳମ୍ବ ନ କରି ସେନା ସଜାଇ ରଖିବା ଉଚିତ । ଯେ ଆନନ୍ଦ ଉତ୍ସବ ହେବା ସମସ୍ତଙ୍କର ଇଚ୍ଛା ତାହା ରାବଣକୁ ହାଣି ସାରିଲାରୁ କରାଯିବ । ବେଳ ଗଲେ ଆଉ ଆସିବ ନାହିଁ । ହୁଡ଼ିଲେ ସର୍ବନାଶ ଘଟିବ । ଲକ୍ଷ୍ମଣଙ୍କର ଭାଗଗଲା-ବର୍ତ୍ତମାନ ଆପଣ ରାବଣକୁ ମାରିବେ, ଉଠନ୍ତୁ ।
ରାମ ।- ଠିକ କହିଛ ! (ଉଠି ଉତ୍ସାହପୂର୍ଣ୍ଣ ଧୀର ଗମ୍ଭୀର ସ୍ୱରେ) ହନୁମାନ, ଜମ୍ଭୁବାନ, ଅଙ୍ଗଦ ନଳ, ନୀଳଆଦି ବୀରମାନେ, ସମସ୍ତେ ଅଣ୍ଟା ଭିଡ଼ । ଆମ୍ଭେମାନେ କଷ୍ଟସାଗର ପାର ହୋଇ କୂଳରେ ପହୁଞ୍ଚିଲାପ୍ରାୟ । ବେଳା ନିକଟରେ ବଡ଼ ବଡ଼ ଢେଉ ଭାଙ୍ଗିଯିବାକୁ ପଡ଼ିଲା ପରି ବର୍ତ୍ତମାନ ସ୍ୱୟଂ ରାବଣ ସଙ୍ଗେ ଲଢ଼ିବାକୁ ହେବ । ଏତେବେଳେ ଖୁବ୍ ସାବଧାନ ହୋଇ ରହିବା ଉଚିତ । ଜାଣତ ରାବଣର ଗୋଟାଏ ମୁଣ୍ଡ ନୁହେ-ତାହାର ଦଶମୁଣ୍ଡ । ଦାନ, ଶୀଳ, କ୍ଷମା, ବୀର୍ଯ୍ୟ, ଧ୍ୟାନ, ବୁଦ୍ଧି, ସେନା, ଉପାୟ, ଗୁପ୍ତଦୂତ ଓ ଜ୍ଞାନ କାହିଁରେ ସେ ଊଣା ନୂହେ । ପାପଚାରରେ କଳୁଷିତ ନୋହିଥିଲେ ତାହାର ମୁଣ୍ଡପାତ ଅସମ୍ଭବ । ଆଜି ଶତ୍ରୁକୁ ପ୍ରବଳ ଜ୍ଞାନ କରି ନ ଲଢ଼ିଲେ ଦେହରେ ବଳ ହେବ ନାହିଁ । ଏଣୁ ଏହି ମୁହୂର୍ତ୍ତରୁ ସମସ୍ତେ ରଣଡାକ ଉଠାଇଦିଅ-ପୁତ୍ରର ମରଣବାର୍ତ୍ତା ସଙ୍ଗେ ସେ ଶତ୍ରୁପକ୍ଷର ଜୟକୋଳାହଳ ଶୁଣି ଘା ଉପରେ ଲୁଣ ଛିଟା ପାଇ ଛାଟିପିଟି ହୋଇ ଆସିବ । ମୁଁ ରାବଣକୁ ନ ମାରି ରଣକ୍ଷେତ୍ରରୁ ବାହୁଡ଼ିବି ନାହିଁ ।
ସୁଗ୍ରୀ ।- (ଉଠି) ତଥାସ୍ତୁ ! (ପାଟିକରି) ସୈନିକ ବୀରପୁରୁଷମାନେ ! ତିନିଥର ଶ୍ରୀରାମଚନ୍ଦ୍ରଙ୍କର ଜୟ ବୋଲି ଯୁଦ୍ଧକ୍ଷେତ୍ରକୁ ଚାଲ ।
ରାମଛଡ଼ା ସମସ୍ତେ ।- (ଉଚ୍ଚୈଃସ୍ୱରେ) ଶ୍ରୀରାମଚନ୍ଦ୍ରଙ୍କର ଜୟ ! ଶ୍ରୀରାମଚନ୍ଦ୍ରଙ୍କର ଜୟ ! ଶ୍ରୀରାମଚନ୍ଦ୍ରଙ୍କର ଜୟ !
ସୁଗ୍ରୀ ।- ଯୁଦ୍ଧରେ ଜିଣି ପୁନର୍ବାର ଏହିରୂପ ଜୟନିନାଦ କରିବ । ରଣବାଦ୍ୟ ବଜାଅ,-ଚାଲ ।
ନେପଥ୍ୟେ ।- (ରଣବାଦ୍ୟ)
[ରଣଦର୍ପରେ ସମସ୍ତଙ୍କର ଆଗେ ଆଗେ ଓ ରାମଚନ୍ଦ୍ରର ତତ୍ପଶ୍ଚାତ୍ ପ୍ରସ୍ଥାନ ]
(ପଟପରିବର୍ତ୍ତନ ।)
[ରାବଣ ଏକାକୀ ଅସୀନ ।]
ରାବ ।- (ଉଦ୍ବିଗ୍ନଭାବେ) କୁମାର ଇନ୍ଦ୍ରଜିତ ଗୋଟାଏ ଛାର ମନୁଷ୍ୟ ଲକ୍ଷ୍ମଣ ସହିତରେ ଲଢ଼ୁ ଲଢ଼ୁ ତିନିଦିନ ତିନିରାତି ଚାଲିଗଲା ! ବୀର ମେଘନାଦ ଦେବଯୁଦ୍ଧରେ ସୁରପତି ଇନ୍ଦ୍ରଙ୍କୁ ଧରି ଆଣିଥିଲା । ଦେବପୁର ସେହେତୁ ଶ୍ରୀହୀନ ହୋଇଗଲା । ଦେବତାମାନେ ବ୍ରହ୍ମାଙ୍କୁ ଘେନିଆସି ମେଘନାଦକୁ ଇନ୍ଦ୍ରଜିତ ନାମ ଦେଇ ଇନ୍ଦ୍ରଙ୍କୁ ମୁକୁଳାଇ ନେଲେ।-ଇନ୍ଦ୍ରଜିତ ଅମରତ୍ୱ ଲାଭ କଲେହେଁ ଯଜ୍ଞ ସାଙ୍ଗକରି ରଥାରୁଢ଼ ହେଲେ କେହି ତାହାକୁ ମାରି ନ ପାରିବାର ବର ପାଇଥିଲା । ମାତ୍ର ନିକୁମ୍ଭିଲା ଯଜ୍ଞ ଶେଷ ନୋହୁଣୁ ହନୁମାନ ଇତ୍ୟାଦି ଦୁଷ୍ଟବିଭୀଷଣପରାମର୍ଶରେ ଗୋଳମାଳ ଲଗାଇବାରୁ ପୁତ୍ର ମୋର ଯଜ୍ଞ ଶେଷ ନ କରି ଯୁଦ୍ଧରେ ଲାଗିଛି । ଯଜ୍ଞ ଭ୍ରଷ୍ଟ ହେବାରୁ ମୋର ଜ୍ଞାନ ଭ୍ରଷ୍ଟ ହେଉଛି ।-ରାମ ଲକ୍ଷ୍ମଣ ଦୁଇଟା ମନୁଷ୍ୟ, (ରାଗରେ) ପାଇଲେ କଡ଼ମଡ଼ କରି ତାଙ୍କର ହାଡ଼ ମୁଁ ଚୋବାଇ ଯାଇଯାରେଁ । ସେ ପୁଣି ସେନା ଆଣିଛି ମାଙ୍କଡ଼ ଆଉ ଭାଲୁ-ସେ ଗୁଡ଼ାକ ମୋର ଜଳପାନ ! ସେମାନେ ଆସି ରାକ୍ଷସପୁରୀରେ ଏତେ ରଙ୍ଗ-ଏତେ ଅନର୍ଥ ଘଟାଉଛନ୍ତି । ଯେଉଁ ମେଘନାଦ ସୁରପୁରୀ ଜୟ କରିଥିଲା ତାକୁ ଋକ୍ଷ, ନର ବାନର କିବା କଥା ! (ଚିନ୍ତାନ୍ୱିତ)-ତଥାପି ମୋର ମନ କାହିଁକି ଉଦ୍ବିଗ୍ନ, କାହିଁକି ଚିତ୍ତ ଚଞ୍ଚଳ ହେଉଛି ! ଯଜ୍ଞଟିରେ ପୂର୍ଣ୍ଣାହୃତି ହୋଇଥିଲେ ମୋର ମନ ଶାନ୍ତ ଥାନ୍ତା । ଅକାଳେ ବୀର ଭାଇ କୁମ୍ଭକର୍ଣ୍ଣକୁ ଉଠାଇ ଫଳ ପାଇଲା ପରି ହେବ କି ? ନା, ନା ! ତ୍ରିଭୁବନରେ ଦେବତାଙ୍କୁ ବଳି ବାଳୀ ନାହିଁ-ମନୁଷ୍ୟ, ମାଙ୍କଡ଼, ଭାଲୁ ଭୀମପରାକ୍ରମୀ ମେଘନାଦର କ୍ରୀଡ଼ାକନ୍ଦୁକ !-ଭୟ ନାହିଁ, ମନ, ଆଶ୍ୱସ୍ତ ହୁଅ ।
[ସୁପାର୍ଶ୍ୱ, ମାହାପାର୍ଶ୍ୱ, ମନ୍ଦୋଦର ଓ ବିରୂପ କ୍ଷର ପ୍ରବେଶ ।]
କି ମନ୍ତ୍ରି ! ଯୁଦ୍ଧର କି ବାର୍ତ୍ତା ? ଭାରୀ କୋଳାହଳ ଲାଗିଥିଲା । ତିନିଦିନ ତିନିରାତି ସେ କୋଳାହଳର ବିରାମ ନାହିଁ ।
ସୁପ ।- (କରଯୋଡ଼େ) ମହାରାଜ ! ଅପରାଧ କ୍ଷମା କରିବେ-ସୁରେନ୍ଦ୍ର ବିଜୟୀ ଶୁରଶ୍ରେଷ୍ଠ ମହାରାଜକୁମାର ଇନ୍ଦ୍ରଜିତ ବିଭୀଷଣସହାୟୀ ଲକ୍ଷ୍ମଣଙ୍କୁ ବାଣଜାଲରେ ପରିତପ୍ତ କରି ଶେଷକୁ ଲକ୍ଷ୍ମଣକର୍ତ୍ତୃକ ନିହତ ହୋଇ ପରଲୋକ ଗମନ କଲେ।
ରାବ ।- (ଘୋର ବିକଳସ୍ୱରେ) ହାୟ କି କଥା ଶୁଣାଇଲ ! (ମୂର୍ଚ୍ଛାରେ ପତନ ।)
ସୁପ ।- ଏ କଣ ? ଏ କିସ ? (ନିକଟକୁ ଧାଇଁଯାଇ ଦେଖି) ମହାରାଜ ମୂର୍ଚ୍ଛାଗଲେ ପରା ! ପାଣି-ପାଣି ଆଣ ।
ମହା ।- ମୁଁ ପାଣି ଆଣୁଛି । (ବେଗେ ପ୍ରସ୍ଥାନ ।)
ମନ୍ଦୋ ।- (ରାବଣ ନିକଟକୁ ଯାଇ ନାକ ଆଗରେ ହାତ ଦେଇ) ରହି ରହି ଖର ନିଶ୍ୱାସ ବହୁଛି-ଏ ମୂର୍ଚ୍ଛା ।
ବିରୂ ।- ଏ ଭଳି ଅବସ୍ଥା ମହାରାଜଙ୍କର ପୂର୍ବେ କେବେ ଦେଖାଯାଇନଥିଲା । ନିଦାରୁଣ ପୁତ୍ରଶୋକ ଆଗରେ ବଳଦର୍ପ କାହାର ?
[ଜଳପାତ୍ର ହସ୍ତେ ମହାପାର୍ଶ୍ୱର ପୁନଃ ପ୍ରବେଶ ।]
ସୁପା ।- (ଜଳପାତ୍ର ନେଇ ତହିଁରୁ କିଞ୍ଚିତ୍ ଜଳ ରାବଣର ମୁଖରେ ଧୀରେ ଧୀରେ ସେଚନ କରି ଉଚ୍ଚସ୍ୱରେ) ମହାରାଜ ! ମହାରାଜ!
ରାବ ।- (ମୂର୍ଚ୍ଛିତାବସ୍ଥାରେ ମୁଣ୍ଡ ଏ ପାଖ ସେ ପାଖ କରିବା ।)
ସୁପା ।- ମହାପାର୍ଶ୍ୱ ! ଜଳପାତ୍ର ଘେନି ଯାଅ । ମହାରାଜ ସଂଜ୍ଞା ଲଭୁଛନ୍ତି-ଏହିକ୍ଷଣି ଉଠିଲେ ପାଣି ଦେଇଛୁଁ ବୋଲି ଜାଣିପାରିଲେ ଆମ୍ଭମାନଙ୍କୁ ଭର୍ତ୍ସନା କରିପାରନ୍ତି । (ଜଳପାତ୍ର ବଢ଼ାଇଦେବା ।)
ମନ୍ଦୋ ।- ଠିକ୍ କହିଛ, ତାଙ୍କର ସ୍ୱଭାବ ସେହିପରି ।
ମହା ।- (ଜଳପାତ୍ର ଘେନି ପ୍ରସ୍ଥିତ ।)
ବିରୂ ।- ଇନ୍ଦ୍ରଜିତ ପରି ପୁଅକୁ ହରାଇ ସୁଦ୍ଧା ଯେବେ ମହାରାଜଙ୍କ ଚେତନା ନ ହେବ ତେବେ ଅଦୃଷ୍ଟ ନତାନ୍ତ ମନ୍ଦ ବୋଲାଯିବ ।
ସୁପା ।- ସେ ଶେଷ ରକ୍ତଯାଏ ଲଢ଼ିବାକୁ ଛାଡ଼ିବେ ନାହିଁ ।
[ମହାପାର୍ଶ୍ୱର ପ୍ରବେଶ ।]
ରାବ ।- (ସଂଜ୍ଞାଲାଭପୂର୍ବକ ଧୀରେ ଧୀରେ ଉଠି ବିକଳସ୍ୱରେ) ହା ବତ୍ସ ! ହା ରାକ୍ଷସ ସେନାପତେ ! ହା ମହାବଳ ! ତୁମ୍ଭେ ଦେବେନ୍ଦ୍ରକୁ ପରାଭୂତ କରି ଏବେ କିରୂପେ ଲକ୍ଷ୍ମଣର ବଶରେ ଆସିଲ ? ବୀର ! ଲକ୍ଷ୍ମଣ କିବା ଛାର-ତୁମ୍ଭେ ରାଗରେ ବାଣ ପେଷିଲେ କାଳାନ୍ତକଯୁଗଳ ଅଥବା ମନ୍ଦର ପର୍ବତର ଶିଖ ସବୁ ଭେଦ କରିପାର । ହେ ମହାବାହୋ ! ମୁଁ ଆଜି ଯମରାଜଙ୍କର ପ୍ରଶଂସା କରୁଛି-ସେ ଆଜି ତୁମ୍ଭଙ୍କୁ କାଳଧର୍ମରେ ଘେନିଗଲେ । ତୁମ୍ଭେ ଯେ ପଥର ପଥିକ ହେଲ ସୁଯୋଦ୍ଧା ଓ ଦେବଗଣ ତାହା ଅଭିଳାଷ କରନ୍ତି । ଯେ ପୁରୁଷ ପ୍ରଭୁ ସକାଶେ ହାଣ ଖାଏ ସେ ନିଶ୍ଚୟ ସ୍ୱର୍ଗକୁ ଯାଏ । (ଦୀର୍ଘନିଶ୍ୱାସ ଛାଡ଼ି) ହାୟ ! ଆଜି ଇନ୍ଦ୍ରଜିତକୁ ନିହତ ଦେଖି ଦେବତା, ମହର୍ଷି ଓ ଲୋକପାଳଗଣ ସୁଖେ ନିର୍ଭୟରେ ଶୋଇବେ । ହାୟ ! ଏକ ଇନ୍ଦ୍ରଜିତ ନ ଥିବାରୁ ଆଜି ତ୍ରିଲୋକ ଓ କାନନପୂର୍ଣ୍ଣା ପୃଥିବୀ ସମୁଦାୟ ଶୂନ୍ୟ ଜଣାଯାଉଛି ! ଗିରିଗହ୍ୱାରରେ କରିଣୀନାଦ ପରି ଆଜି ଅନ୍ତଃପୁରରେ ରାକ୍ଷସରମଣୀମାନଙ୍କର କାନ୍ଦବୋବାଳି ଶୁଣିବାକୁ ହେବ । ହେ ଶତ୍ରୁ ତାପନ ! ତୁମ୍ଭେ ଯିବରାଜ୍ୟ ଳଙ୍କା, ରାକ୍ଷସକୁଳ, ବାପ, ମା, ଭାର୍ଯ୍ୟାକୁ ଛାଡ଼ି କୁଆଡ଼େ ଗଲ ! (ପୁନର୍ବାର ଦୀର୍ଘନିଶ୍ୱାସ ଛାଡ଼ି) ହା ବୀର, କେଉଁଠି ମୁଁ ପରଲୋକ ଗଲେ ତୁମ୍ଭେ ମୋର । ଅନ୍ତ୍ୟେଷ୍ଟିକ୍ରିୟା କରନ୍ତ, ନା, ତୁମ୍ଭେ ଯମପୁରୀ ଯିବାରୁ ଓଲଟା ମୋତେ ତାହା କରିବାକୁ ପଡ଼ିଲା । (ପୁଣି ଦୀର୍ଘନିଶ୍ୱାସ ପକାଇ) ହା ପୁତ୍ର ! ସୁଗ୍ରୀବ, ରାମ, ଆଉ ଲକ୍ଷ୍ମଣ ବଞ୍ଚିଥାଉଁ ତୁମ୍ଭେ ମୋର ହୃଦୟରୁ କୀଳା ବାହାର ନ କରି କେଉଁଆଡ଼େ ଚାଲିଗଲ ! (କ୍ରୋଧଭରେ ଦାନ୍ତ ଚୋବାଇ) ରେ ଦୁର୍ମତି ଲକ୍ଷ୍ମଣ ! ଯେ ତୋତେ କଡ଼ୁମଡ଼ କରି ଦାନ୍ତରେ ଚୋବାଇ ଯାଇପାରେ ତୁ ପୁଣି ତାକୁ ମାରିଛୁ ! ଯେଉଁ ରାମର ହାଡ଼ ମୁଁ ଦାନ୍ତରେ କଡ଼ମଡ଼ କରି ଗୁଣ୍ଡା କରିଦେଇପାରେଁ ସେ ପୁଣି ମୋତେ ମାରିବାକୁ ଆସ୍ପର୍ଦ୍ଧା କରିଛି ! ତୁ ଛାର କୀଟ ! ମନୁଷ୍ୟ ମୋର ଚୋବାଇବା ପଦାର୍ଥ ବୋଲି ମୁ ସହସ୍ରବର୍ଷ ତପସ୍ୟା କରି ଦେବାସୁର ମଧ୍ୟରେ କେହି ମୋତେ ମାରି ନ ପାରିବା ବର ବ୍ରହ୍ମାଙ୍କଠାରୁ ପାଇଛି-ତୋତେ କି ତାହା ଜଣା ନାହିଁ ? ବ୍ରହ୍ମା ମୋତେ ଯେଉଁ କବଚ ଦେଇଛନ୍ତି ଦେବାସୁର ଯୁଦ୍ଧରେ ବଜ୍ରବି ତାକୁ ଛିଣ୍ଡାଇ ପାରିନାହିଁ । ଦେବାସୁର ଯୁଦ୍ଧବେଳେ ପିତାମହ ପ୍ରୀତ ହୋଇ ଉତ୍କୃଷ୍ଟ ଧନୁର୍ବାଣ ଦେଇଛନ୍ତି ।-ଆଜି ମହାଯୁଦ୍ଧରେ ରାମଲକ୍ଷ୍ମଣଙ୍କୁ ବଧ କରିବାପାଇଁ ଢାକ ଢୋଲ ଶତ ଶତ ତୁରୀ ଆଦି ମଙ୍ଗଳବାଦ୍ୟ ବଜାଇ ସେହି ଧନୁ ଉଠାଅ । ରାମ ବୋଲି ଗୋଟାଏ ମନୁଷ୍ୟ-ତାର ଏତେ ଗର୍ବ ସେ ମୋତେ ମାରି ମୋ ମୁହଁରୁ ସୀତାଙ୍କୁ ଘେନିଯିବ ! (ଚିନ୍ତାନ୍ୱିତ ହୋଇ) ନା, ମୋର ମନେ ହେଉଛି ମାଗିଲାବେଳେ ମନୁଷ୍ୟ ମୋତେ ମାରିପାରିବ ନାହିଁ ବୋଲି ବ୍ରହ୍ମାଙ୍କଠାରୁ ବର ମାଗି ନେଇଥାନ୍ତି । ମନୁଷ୍ୟ କଣ ଦେବତାଠାରୁ ବଡ଼ ! ମୋର ପ୍ରତାପରେ ଦେବତାମାନେ କମ୍ପମାନ । (ସକ୍ରୋଧେ) ସମସ୍ତେ ମୋତେ ହାତ ଯୋଡ଼ି ରହିଥାନ୍ତି । ମୋର ଧନଭଣ୍ଡାର ପୂର୍ଣ୍ଣ । ମୋର ସୁବର୍ଣ୍ଣପୂରୀ ଲଙ୍କାର ଚାରିଆଡ଼େ ରତ୍ନାକର ମଣିମୁକ୍ତାଦି ରତ୍ନ ଘେନି ଆଜ୍ଞାବହଭୃତ୍ୟ ପରି ମୁଣ୍ଡିଆ ମାରୁଛି । ମୋର ସୁନାର ସାପ୍ତଭୂମିକ ପ୍ରାସାଦମାନ ହୀରାନୀଳାରେ ଯେମନ୍ତ ଦାଉ ଦାଉ ଦିଶୁଛି ତ୍ରିଭୁବନର କୌଣସିଠାରେ ତାହା ଦେଖିବାକୁ ମିଳିବ ନାହିଁ । ମୋର ଅଶୋକକାନନ ଦେଖି ଇନ୍ଦ୍ରର ନନ୍ଦନକାନନ ଲାଜରେ ଲୁଚି ରହିଛି ! ତୁ ମୋଭଳି ପ୍ରତାପୀ ରାଜାଙ୍କ ଭଗିନୀ ସୁର୍ପଣଖାର ନାକ କାନ ଭାଇ ହାତରେ କଟାଇ ତାର ସୁନ୍ଦରପଣ ସାରି ଦେଇଛୁ । ସେହି ସୂର୍ପଣଖା ତୋର ସୀତାର କଥା ମୋତେ କହି ସେ ମୋର ଅଙ୍କଭାଗିନୀ ହେବାର ଉପଯୁକ୍ତା ବୋଲି ଜଣାଇଥିଲା । ମୁଁ ପଞ୍ଚବାଟୀରେ ତାର ସୌନ୍ଦର୍ଯ୍ୟ ଦେଖିଲାବେଳୁଁ ମୋର ଅନ୍ତରାତ୍ମା ସୀତାସୀତା ବୋଲି ଜପୁଛି। ସେ ପୁଣି ଏଡ଼ିକି ଦୁଷ୍ଟା ଯେ ଦେବବିଜୟୀ ଦୁର୍ଦ୍ଧର୍ଷ ରାବଣକୁ କଡ଼ାକରେ ଖାତର କରୁନାହିଁ । ରାମ ଗୋଟାଏ କୌପୁନିପିନ୍ଧା ପତ୍ରକୁଡ଼ିଆ-ମାଟିରେ ଶୁଆ ବଣୁଆ ସନ୍ନ୍ୟାସୀ ତାକୁ ଏଡ଼େବଡ଼ ହେଲା ଯେ ତ୍ରିଭୁବନରେ ଶ୍ରେଷ୍ଠ ସୁବର୍ଣ୍ଣମୟ ଲଙ୍କାର ସ୍ୱର୍ଗକୁ ସୋପାନ ପରି ସାତମହଲା ମଣି ମଣ୍ଡିତ ଶଙ୍ଖମର୍ମର ଗୃହର ଗଜଦନ୍ତ ପଲ୍ୟଙ୍କର ଦୁଗ୍ଧଫେନନିଭ ସୁକୋମଳ ଶୁଭ୍ରଶଯ୍ୟୋପରି ମଣିମୟ ସୁବର୍ଣ୍ଣାଭରଣୁଭୂଷିତ ବହୁମୂଲ୍ୟ ବସ୍ତ୍ରପରିଧାୟୀ ରାଜରାଜେଶ୍ୱର ମହାବୀର ରାବଣେଶ୍ୱରଙ୍କର ଅଙ୍କ ରୁଚୁନାହିଁ । ମୁଁ ଅଜି ତାକୁ ହାଣିବି । ତାହାରି ଲାଗି ମୋର ଏତେ ଦଶା ହେଲାଣି । ସେ ଅଲକ୍ଷଣୀ ଆସି ନ ଥିଲେ ଛାର ମାଙ୍କଡ଼ ଆସି ଲଙ୍କା ପୋଡ଼ିଦେଇ ନ ଥାନ୍ତା କି ସୁନ୍ଦର କାନନମାନଙ୍କର ଗଛବୃକ୍ଷ ଭାଙ୍ଗି ଛାରଖାର କରି ନ ଥାନ୍ତା । ସେହି କୁଲକ୍ଷଣା ଆସିବାରୁ ଧୂମ୍ରାକ୍ଷ, ବଜ୍ରଦଂଷ୍ଟ୍ରା, ଅକମ୍ପନ, ପ୍ରହସ୍ତ, ଭାଇ କୁମ୍ଭକର୍ଣ୍ଣ, ନରାନ୍ତକ, ଦେବାନ୍ତକ, ତ୍ରିଶିରା, ଅତିକାୟ, ନିକୁମ୍ଭ, ମକରାକ୍ଷ ଯେ ଜଣକୁ ଜଣେ ମହାବୀର ବୋଲି ଗଣା ସମସ୍ତେ ହାଣ ଖାଇଲେ ! ମୋର ପ୍ରିୟପୁତ୍ର ଇନ୍ଦ୍ରଜିତର ବଳରେ ତ୍ରିଲୋକ କମ୍ପିତ-ତାହାକୁ ଘେନି ଲଙ୍କାପୁରୀର ଶିରୀ ପୁରିରହିଥିଲା ।- ସେହି କୁଲକ୍ଷଣା ହେତୁ ଲଙ୍କାପୁରୀର ଶୋଭା ତୁଟି ଯାଇଛି !-ଲଙ୍କାପୁରୀ ଅରଣ୍ୟ ହେବାକୁ ବସିଲା ।-ନା ଆଉ ତାକୁ ରଖିବା ଉଚିତ ନୁହେ । ଇନ୍ଦ୍ରଜିତ ଛଳକରି ମାଙ୍କଡ଼ମାନଙ୍କୁ ଠକିବା ସକାଶେ ମାହାସୀତା ବଧ କରିଥିଲା, ମୁଁ ଆଜି ସତକୁ ସତ କ୍ଷତ୍ରିୟାଧମ ରାମର ଅନୁରାଗିଣୀ ସେହି ବୈଦେହୀକି ନିହତ କଚି ଆପଣାର ମଙ୍ଗଳ ସାଧନ କରିବି, (ଖଡ଼୍ଗ ଉଠାଇ) ଏହି ଖଡ଼୍ଗରେ ହାଣିବି-କିଏ ରଖିବ ଦେଖେଁ (ବେଗେ ଖଡ଼୍ଗଧରି ନିଷ୍କ୍ରାନ୍ତ) ।
ସୁପା ।- ରାକ୍ଷସରାଜଙ୍କ ରାଗରେ ଆଗେ ଲୋକପାଳ ଚତୁଷ୍ଟୟ ପରାଜିତ ଓ ଅସଂଖ୍ୟ ଶତ୍ରୁ ହତ ହୋଇଥିଲେ । ଏହାଙ୍କ ରୂପ ଦେଖି ଆଜି ରାମଲକ୍ଷ୍ମଣ ନିଶ୍ଚୟ ବ୍ୟଥିତ ହେବେ-ସୀତାଙ୍କୁ କିଏ ପଚାରେ ! ତ୍ରିଭୁବନରେ ଏହାଙ୍କପରି ବିକ୍ରାନ୍ତ କିଏ ଅଛି ?
ମହା ।- ଏହାଙ୍କପରି ବଳଶାଳୀ କେହି ନାହିଁ ।-ତହିଁରେ ପୁଣି ରାଗ ହେଲେ ଆଉ ରକ୍ଷା ଅଛି !
ବିରୂ ।- ଚାଲ ଦେଖିବା ଏ ଏକା ରାଗ ହୋଇ କୁଆଡ଼େ ଗଲେ ।
ମନ୍ଦୋ ।- ହଁ ଚାଲ-ଅଶୋକବନ ଆଡ଼କୁ ମୁହଁ କରି ଧାଉଁଛନ୍ତି ।
[ସୁପାର୍ଶ୍ୱ ପ୍ରଭୃତିଙ୍କର ପଶ୍ଚାଦ୍ଧାବନ ।]
ପଟପରିବର୍ତ୍ତନ ।
[ସୀତା ଓ ସରସା ଆସୀନା ।]
ସୀତା ।- ତିନିଦିନ ତିନିରାତି ଅବିରାମ ଯୁଦ୍ଧ କରି ପ୍ରିୟ ଦେବର ଲକ୍ଷ୍ମଣ ଯେତେବେଳେ ଇନ୍ଦ୍ରଜିତକୁ ମାରିପାରୁନାହାନ୍ତି ମୋର ମନରେ ଭାରୀ ଶଙ୍କା ଉପସ୍ଥିତ ହେଉଚି । ସଖି ! ଆର୍ଯ୍ୟପୁତ୍ର ଆସିଥିଲେ ଏତେବେଳକୁ ଇନ୍ଦ୍ରଜିତର ଅସ୍ତିତ୍ୱ ନ ଥାନ୍ତା ।
ସର ।- ତା ସତ, ମାତ୍ର ଇନ୍ଦ୍ରଜିତର ବଧ ଲକ୍ଷ୍ମଣ ହସ୍ତରେ ନିଶ୍ଚୟଜାଣି ବିଭୀଷଣ ତାଙ୍କୁ ସଙ୍ଗରେ ଘେନି ଗଲେ । ରାମ ଏତିକି ବେଳେ ବିଶ୍ରାମ କରୁଛନ୍ତି । ଇନ୍ଦ୍ରଜିତ ମଲା ବୋଲି ଶୁଣିଲାମାତ୍ରକେ ରାବଣର ଦେହ ଏକାବେଳକେ ଶୋକ ଓ ରାଗରେ କୁଣ୍ଡାଇ ହେବ ଆଉ ସେ ପତଙ୍ଗପରି ପୋଡ଼ି ମରିବାପାଇଁ ସମରାନଳରେ ଝାସ ଦେଲାମାତ୍ରକେ ରାମଚନ୍ଦ୍ର ତାକୁ ନାଶ କରିବେ ।
ସୀତା ।- ସଖି ! ତୁମ କଥାରେ ଫୁଲଚନ୍ଦନ ପଡ଼ୁ । ରାବଣ ଏଡ଼େ ମାୟାବୀ-ସେ ଅର୍ଯ୍ୟପୁତ୍ରଙ୍କ ମାୟାକଟା ମୁଣ୍ଡ ଆଉ ଧନୁ ଆଣି ତାଙ୍କୁ ନିହତ କରିଥିବା ବିଶ୍ୱାସ ଜନ୍ମାଇ ମୋତେ ଆୟତ୍ତ କରିବାର ବାସନା କରିଥିଲା । ସେ ଜାଣେ ନାହିଁ ସତୀର ପ୍ରାଣ ସ୍ୱାମିର ପ୍ରାଣରେ ଗୁନ୍ଥା-ଗୋଟିଏ ଗଲାମାତ୍ରକେ ଆରଟି ତଦ୍ଦଣ୍ଡେ ବାହାରି ଯିବ । ସଖି, ମୁଁ ମାୟାମୁଣ୍ଡ ଦେଖି ବ୍ୟାକୁଳ ହୋଇ ଭୂଇଁରେ ଗଡ଼ାଚଡ଼ି ହେଉ ଥିଲାବେଳେ ତୁମେ ମୋତେ ସତ୍ୟଘଟନା କହି ଆଶ୍ୱାସ ଦେଇ ଜଳନ୍ତା ନିଆଁରେ ପାଣି ପକାଇଥିଲ । ସଖି ! ରାକ୍ଷସୀ ହୋଇ ତୁମର ଏ ଅନୁପମ ସ୍ନେହ ଅସୀମ ଉପକାର ମୋତେ ୠଣପାଶରେ ବାନ୍ଧିଚି । ସେ ଋଣ ମୁଁ ଶୁଝପାରିବି ନାହିଁ । ତୁମେ ଅଲକ୍ଷିତଭାବରେ ଆକାଶପାତାଳ ସବୁଠାକୁ ଯାଇପାରେ, ତୁମେ ମୋତେ ଅର୍ଯ୍ୟପୁତ୍ର ଅଗଣିତ ସେନା ଘେନି ସମୁଦ୍ର ପାରି ହୋଇ ଲଙ୍କାରେ ଛାଉଣ ପକାଇବା କଥା କହିଚ । ସଖି, ଯେତେ ରାକ୍ଷସୀ ଏ ବନ ଜଗିଚନ୍ତି ସମସ୍ତେ ମୋର ବିରୋଧି ନୁହନ୍ତି । ସେ ଦିନ ରାକ୍ଷସୀମାନେ ମୋତେ ରାବଣର ଆୟତ୍ତ କରିବା ସକାଶେ ଭୟ ଦେଖାଇ ଗାଳିଦେବା ସମୟରେ ବୃଦ୍ଧା ତ୍ରିଜଟା ସେମାନଙ୍କୁ ଗାଳିଦେଇ ତୁନି କରାଇ ଥିଲେ । ତଥାପି ବେଳେ ବେଳେ ଦୃଷ୍ଟା ଯୌବନମଦଗର୍ବିତା ରାକ୍ଷସୀଗୁଡ଼ାକ ମୋତେ ନାନାପ୍ରକାର ସନ୍ତାପ ଦିଅନ୍ତି ତେତେବେଳେ ତୁମେ ଏକା ହୃଦୟର ଅଶାନ୍ତିକୁଣ୍ଡରେ ଶାନ୍ତିବାରି ସିଞ୍ଚନ କର । ଯେତେବେଳେ ଇନ୍ଦ୍ରଜିତ ଲକ୍ଷ୍ମଣ ସହିତ ଆର୍ଯ୍ୟପୁତ୍ରଙ୍କୁ ନାଗଫାଶରେ ବାନ୍ଧିଥିଲା ତେତେବେଳେ ରାବଣ ଶରବିଦ୍ଧ ମ୍ରିୟମାଣ ଭାଇଦୁହିଙ୍କି ମରିଯାଇଚନ୍ତି ବୋଲି ଦେଖାଇବା କାରଣ ତ୍ରିଜଟା ସହିତ ମୋତେ ପୁଷ୍ପକରଥରେ ବୁଲାଇଥିଲା । ତ୍ରିଜଟା ମୋର ଦୁଃଖ ଦେଖି ମୋତେ ପ୍ରକୃତ କଥା କହି ମୋର ଜୀବନ ବଞ୍ଚାଇଚନ୍ତି । ସଖି ! ମୋର ରୂପ ମୋର କାଳ ହୋଇଚି । ମୋର ରୂପ ଦେଖି ରାବଣ ମରି ନ ଯାଇ ମୋହିତ ହୋଇ ମୋତେ ଛଳ କରି ଘେନିଆସି ଏତେ ଅବସ୍ଥା କରୁଚି । ତାର ଅବସ୍ଥା ବି କହିଲେ ନ ସରେ । ସେ କୁମ୍ଭକର୍ଣ୍ଣ ପରି ଭାଇ ଆଉ ପୁଅ ଅକ୍ଷୟକୁମାର, ଜମ୍ବମାଳି ଆଦି କେତେ କେତେ ସ୍ୱବଂଶ ଆଉ ଅନ୍ୟ ବଂଶର ବୀରମାନଙ୍କୁ ହରାଇ ଲଙ୍କାପରୀ ହତଶ୍ରୀ କରି ଦେଲାଣି । ତେବେ ବି ସେ ମୋର ଆଶା ଛାଡ଼ିନାହିଁ ।
ସର ।- ତାର ବିନାଶକାଳ ଉପସ୍ଥିତ ।-ତାକୁ ଭଲକଥା କେବେ ରୁଚିବ ନାହିଁ । ତାକୁ ତାର ମା, ବୃଦ୍ଧମନ୍ତ୍ରୀ ମାଲ୍ୟବାନ, ବିଭୀଷଣ ଆଉ ଅନ୍ୟ ଅନେକେ କହିଲେ ସୀତାଙ୍କୁ ଫେରାଇ ଦେଇ ରାମଚନ୍ଦ୍ର ସଙ୍ଗେ ସନ୍ଧି କର ।- ସେ କି ମାନିବାର ଜନ୍ତୁ !- ଯେ କାମର ବଶୀଭୂତ ସେ ଅନ୍ଧ ।
ସୀତା - ସଖି ! ଯାହା କହିଲ ସତ । ଆପଣା ପକ୍ଷର ଲୋକଙ୍କର ବେଳେ ବେଳେ ଯୁଦ୍ଧରେ ବିପଦ ଆଉ ଶତ୍ରୁ ପକ୍ଷ ହେଲେ ସୁଦ୍ଧା ଏତେ ଲୋକଙ୍କର ପିମ୍ପୁଡ଼ିପରି ପଲ ପଲ ହୋଇ ମରିବା ଦେଖି ମୋ ମନ ଘାଣ୍ଟି ହେଉଚି । ଏତେଗୁଡ଼ିଏ ଲୋକ ଖାଲି ପେଟପାଇଁ ରାବଣର ଚାକରି ବଜାଇ ପାପରେ ସହାୟ ହୋଇ ମରୁଚନ୍ତି । ମାତ୍ର ଯେତେବେଳେ ମୁଁ ଭାବେ ଏକା ମୋରିପାଇଁ ଏ ଯୁଦ୍ଧ ତେତେବେଳେ ମୋ ମନ ଅବଶ ହୋଇଯାଏ !
ସର ।- ସ୍ୱଭାବକୋମଳ ତୁମର ମନ ଅବଶ ହେବାରେ ସଂଶୟ ନାହିଁ ।- ମୋର ମନ କି ଘାଣ୍ଟି ହୁଏ ନାହିଁ ? ମାତ୍ର ହେଲେ କି ହେବ ଯେଉଁଟା ଦୁଷ୍ଟ, ଯାହାକୁ ଭଲ କଥା ଆଦୌ ରୁଚେ ନାହିଁ, ତାର ପଦେ ପଦେ ପରାଭବ ଦେଖି ଉପଯୁକ୍ତ ଶାସ୍ତି ହେଉଚି ବୋଲି ମୋର ମନ ଆନନ୍ଦରେ ନାଚି ଉଠେ ।
ସୀତା ।- ସଖି ସରମେ ! ତୁମେ ରାକ୍ଷସୀ ମଧ୍ୟରେ ଦେବୀ । ପୂର୍ବକାଳରେ ତୁମେ ମୋର ମାତୃସ୍ଥାନୀୟା ଥିଲ ବୋଲି ଏ କାଳରେ ମୋର ସହଚରୀ ହୋଇ ମୃତକଳ୍ପ ପ୍ରାଣରେ ଅମୃତ ଢାଳୁଚ । ସଖି, ହନୁମାନ ମୋତେ ଠାବ କରି ସାରି ବିଦାୟ ହେଲାବେଳେ ମୋତେ ପିଠିରେ ଘେନି ଲଙ୍କାରୁ ପାରକରିନେବାର ପରାମର୍ଶ ଦେଇଥିଲେ, ତେତେବେଳେ ମୁଁ ରାଜୀ ହୋଇ ଯାଇଥିଲେ ଏତେ ଅନର୍ଥ ଲାଗି ନ ଥାନ୍ତା ।
ସର ।- କି ଏଥୁଁ ବଳି ଆହୁରି ଅଧିକ ନଟ ଲାଗିଥାନ୍ତା କିଏ କହିପାରେ ! ତୁମେ ହନୁମାନର କଥାରେ ରାଜୀ ନ ହୋଇ ଭଲ କରିଚ । ଦେଖିଲତ ଫେରିଗଲାବେଳେ ଇନ୍ଦ୍ରଜିତ ହନୁମାନକୁ ବାନ୍ଧି ରାବଣର ସଭାକୁ ଘେନିଗଲା । ତୁମେ ପିଠିରେ ଥିଲେ ସେଠି ପହୁଞ୍ଚିଥାନ୍ତ ।-ତେତେବେଳେ ଗୋଟାଏ କି କାଣ୍ଡ ହୋଇଥାନ୍ତା !-ସେପରି ଭାବରେ ପଳାଇଯିବା ମହତର କାର୍ଯ୍ୟ ନୁହେ । ତୁମେ ପଳାଇ ନ ଯାଇ ଅତି ବୁଦ୍ଧିମତୀର କାର୍ଯ୍ୟ କରିଚ ।
ସୀତା ।- ସବୁ ବୁଦ୍ଧି ଏତେବେଳେ ହଜିବାକୁ ବସିଚି । ଇନ୍ଦ୍ରଜିତ ନ ମଲେ ମୋର ପରିତ୍ରାଣ ନାହିଁ । ରାବଣ ମୋତେ ଲଙ୍କାପୁରୀକି ଆଣି ବର୍ଷେକାଳ କଣ୍ଟ କରିଥିଲା । ଯୁଦ୍ଧ ଆରମ୍ଭ ଆଗେ ଦୁଇମାସ ବାକୀ ଥିବା ମନେ ପକାଇ ଦେଇ ଯାଇଚି । ସେ ସବୁବେଳେ ଆସି ମୋର ଭାର୍ଯ୍ୟା ହୁଅ କହି କହି ମୋତେ ଏତେ ଜଳାଇଲାଣି ଯେ ମୁଁ ବେଳେ ବେଳେ ବେଣୀ-ସାହାଯ୍ୟରେ ଫାଶି ଲଟକିବାକୁ ବାହାରି ପଡ଼େ । ହନୁମାନ ଠାବ କଲାବେଳେ ଆଉ ଟିକିଏ ବିଳମ୍ବ କରିଥିଲେ କଥା ଶେଷ ହୋଇ ଯାଇଥାନ୍ତା -ଏତେ ଲୋକ ମୋ ପାଇଁ ପ୍ରାଣ ହରାଇ ନ ଥାନ୍ତେ କି ମୋର ହୃଦୟର ରାଜା ଆର୍ଯ୍ୟପୁତ୍ର ଏତେ ବିପଦ ସହୁ ନ ଥାନ୍ତେ କିମ୍ବା ପ୍ରାଣପ୍ରିୟ ଦେବର ଲକ୍ଷ୍ମଣ ସୁଦ୍ଧା ଏତେ ଘାଣ୍ଟି ହେଉ ନ ଥାନ୍ତେ ! ସବୁ ମୋର ବୁଦ୍ଧିର ଦୋଷ । ମୁଁ ଯେବେ ମାରିଚର ‘‘ଲକ୍ଷ୍ମଣ ରଖ ଲକ୍ଷ୍ମଣ ରଖ’’ ବୋଲି ମାୟାରୋଦନରେ ଭୁଲି ଲକ୍ଷ୍ମଣଙ୍କୁ ପରୁଷ କଥା କହି ଏକା ହୋଇ ପଞ୍ଚବଟୀ କୁଟିରରେ ରହି ନ ଥାନ୍ତି ତେବେ ଏତେଦଶା କାହିଁକି ଘଟିଥାନ୍ତା ! (ଅଞ୍ଚଳରେ ଲୋତକ ମୋଚନ ।)
ସର ।- (ବସ୍ତ୍ରାଞ୍ଚଳରେ ଲୁହ ପୋଛି ଦେଇ) ଛି ସଖି, ଏ କାନ୍ଦିବାର ବେଳ ନୁହେଁ ! ଏତେବେଳେ ଆଉ ଆତ୍ମଗ୍ଲାନି କଲେ କି ହେବ ? ସବୁ ବିଧାତାଙ୍କ ବିଧାନ ! ତୁମେ ସେରୂପ କରି ନ ଥିଲେ ରାବଣ ମରନ୍ତା କିପରି-ସେ ଭିଆଣର ଖିଆ ତେତିକି ବେଳୁଁ କାଣ୍ଡିଆରୁ ବାହାରିଚି । ନଈସୁଅପରି, ସେନା ମାଡି ଆସିଲା-ସମୁଦ୍ରଜଳରେ ମିଶି ନ ଯାଇ ତାକୁ ଡେଇଁ ଆର ପାରିରେ ଉଚ୍ଛନ୍ନଦଶା ଘଟାଇଲାଣି । ରାମଚନ୍ଦ୍ରଙ୍କ ଯୋଗେ ସମୁଦ୍ର ବନ୍ଧା ହେବା ଦେଖାଗଲା । ଯେ ବୀର ସେ କୌଣସି ବାଧା ମାନନ୍ତି ନାହିଁ । ଦେହରେ ବଳ ଥିଲେ ମନରୁ ବୁଦ୍ଧି ବାହାରେ । ସଖି ! ଚିନ୍ତା ନ କର- ଅଚିରେ ତୁମେ ହୃଦୟର ମଣି ହୃଦୟରେ ଧରି ପ୍ରାଣ ଶୀତଳ କରିବ ।
ସୀତା ।- ସଖି ! ତୁମର କଥା ବସୁଧାରେ ସୁଧାସାର ପରି-ମଲା ପିଣ୍ଡ ଜୀଆଇବ । ତୁମରି ସ୍ୱାମୀ ବିଭୀଷଣ ଆର୍ଯ୍ୟପୁତ୍ରଙ୍କ ସଖା ହୋଇ ନାନା ପ୍ରକାର ମନ୍ତ୍ରଣାରେ ଯୁଦ୍ଧରେ ଜୟଲାଭ କରାଉଚନ୍ତି ଆଉ ତୁମେ ମୋର ସଖୀରୂପେ ମୋର ତାପିତ ପ୍ରାଣରେ ସୁଧା ଢାଳି ସ୍ନିଗ୍ଧ କରୁଚ । ତୁମର ସ୍ନେହମୟୀ ଝିଅ କଳାବତୀ ମଧ୍ୟ ଗୁଣବତୀ ତାର ବଚନ ଅମୃତରୁ ବଳି ।- (କିଛି କାଳ କାନ ଡେରି) ସଖି ! ଯୁଦ୍ଧଭୂମିରୁ ରାକ୍ଷସମାନଙ୍କର ଆନନ୍ଦସୂଚକ ସିଂହନାଦ ଶୁବୁଚି-ଆର୍ଯ୍ୟପୁତ୍ର ଆଉ ଲକ୍ଷ୍ମଣଙ୍କର କିଛି ବିପଦ ହେଲା କି ?-ସଖି କ୍ରମେ, କ୍ରମେ ସିଂହବାଦ ଅଧିକ ଶୁବୁଚି-ମୋର ମନ ଘାଣ୍ଟି ହେଉଚି ! ଟିକିଏ ରଣଭୂମିକ ଯାଇ ମୋତେ ବାର୍ତ୍ତା ଆଣିଦିଅ-ମୋ ମୁଣ୍ଡ ଖାଅଟି ସଖି !
ସର ।- ଛି ସଖି, ଏମନ୍ତ କଥା କହ ନା-ଏଭଳି ବିକଳ ହେବାର କିଛି କାରଣ ନାହିଁ ! ରାମଲକ୍ଷ୍ମଣଙ୍କର କିଛି ବିପଦ ହେବନାହିଁ-ମୁଁ ଯାଉଚି, ଏହିକ୍ଷଣି ଖବର ଆଣିବି ।
[ସରମାର ପ୍ରସ୍ଥାନ ।]
ସୀତା ।- (କାନ ଡେରି ରହି) କ୍ରମେ କୋଳାହଳ ଅଧିକ ହେଲା ।-ଦେଖାଯାଉ ସଖୀ ସରମା କି ସମ୍ବାଦ ଆଣୁଚନ୍ତି । ବିଧାତା ଏ ଦେହକୁ କଷଣରେ ଗଢ଼ିଚନ୍ତି ଯେତେ ରଖିଥିବି ସହିବି ।-ଆଜି ଏତେବେଳଯାଏ ଚଉକିଦିଆ ରାକ୍ଷସୀମାନେ ଉଠି ନାହାନ୍ତି-ନିତି ରାତିରେ ଗୁଡ଼ାଏ ମଦ ଆଣି ଢକ ଢକ କରି ପିଅନ୍ତି ଆଉ ମୁହଁରେ ଯା ଆସେ ବକନ୍ତି ! ଏମାନଙ୍କୁ ଜଗାଇ ରାବଣ କି ପାଉଚି ସେ ଜାଣେ । ମୋ ମନ ଯେବେ ମୋତେ ନ ଜଗିଲା ଆଉ ଜଗିବ କିଏ ? ସେ ଗୁଡ଼ାକ ପୁଣି ଏଡେ ନିଷ୍ଠୁରା-ଏମତେ ମରମପଶା କଥା କହିବେ ଯେ ନାହିଁ ନୋହିବାର ! କେବେ ଦଇବ ତାଙ୍କ କବଳରୁ ମୋତେ ଉଦ୍ଧାର କରିବ !
[ଶୂଳହସ୍ତେ ଚଣ୍ଡୋଦରୀ, ଗଦାହସ୍ତେ ପ୍ରଷ୍ୱସା ଓ ଖଣ୍ଡାହସ୍ତେ ଅଜାମୁଖୀର ପ୍ରବେଶ ।]
ଚଣ୍ଡୋ ।- (ବିକଟହାସ୍ୟ ସହିତ ଟଳୁ ଟଳୁ) ହାଃ, ହାଃ, ସ୍ତିରୀଟା ଦେଖିବାକୁ ଡଉଲର ।-ଯା ମ, ରାତିଯାକ ଏମତେ ଏକୁଟିଆ ମୁହଁକୁ ପୋତି ସଢ଼ୁଚୁ କାହିଁକି ? ରାବଣକୁ ଭଜିଲେ ଲଙ୍କାର ରାଣୀ ହେବୁ ।
ପ୍ରଷ୍ୱ ।- (ତଦ୍ବତ୍) ରତ୍ନଭଣ୍ଡାରମାନ ତୋର ପାଦତଳେ ଥୁଆ ହେବ ।
ଅଜା ।- ରାଜରାଜେଶ୍ୱେର ଦଶାନନ ହାତରେ ଚାନ୍ଦ ପାଇଲା ପରି ଆହ୍ଲାଦରେ ଗଡ଼ିଯିବ ତାର ପ୍ରାଣ ଶୀତଳ ହେବ-ମୋର ଜୀବନ ସ୍ୱାର୍ଥକ ହେବ ।
ଚଣ୍ଡୋ ।- ଏ ମାଇକିନିଆଟା ଏଡ଼ିକି ହୁଣ୍ଡୀ-ଗୋଟାଏ ମଣିଷକୁ ଝୁରି ରାତି ରାତି କଟାଇ ଦଉଚି-ଦିନକୁ ଦିନ ଚାଲି ଯାଉଚି-ମୁହଁପୋତି ବସିଚି ଯେମନ୍ତେ ମଣିଷ ନୁହେ ହୁଙ୍କା ।-କି ଗୁଣ ଦେଖି ରାବଣ ୟାକୁ ଧରି ଆଣିଚି । ଆମଠୁ କଣ ୟାର ଶୋଭା ଏଡ଼େ । ଆମେ ରାବଣର କୋଳରେ ଶୋଇବା ପାଇଁ ଉବୁରା ଉବୁରି ହେଉଥାଇଁ-ୟାର ପୁଣି ଗରବ କେଡ଼େ !-ମୋର ଗୋଟାଏ ପୁରୁଷ-ସେଇଟା ଚନ୍ଦନ ଘୋରି ଘୋରି ଲଗାଇବେ ଆଉ ସବୁ ପାଉଁଶ ! (କୋପଭରେ ଶୂଳ ଟେକି) ଉଠି ମୁହଁ ଟେକୁଚୁନା, ଦେହରେ ଶୁଳ ଭୂଷି ଦେବି-ଦର ଦର ଦେହରୁ ରକ୍ତନଦୀ ବହିବ ।
ପ୍ରଷ୍ୱ ।- ରାବଣର କୋଳକୁ ତୁ ଯେବେ ଆଶ୍ରା ନ କରିବୁ (ଗଦା ଉଞ୍ଚାଇ) ଏହି ଗଦାରେ ତୋତେ ଚୂନା କରି ଚୋବାଇଯିବି-ଆଉ ଥିବୁ ନା ତୋ ପୁରୁଷକୋଳକୁ ଯିବୁ ।
ଅଜା ।- ରାବଣ ଫେର୍ ୟାକୁ କହନ୍ତି ଚାନ୍ଦମୁହୀଁ ! ମୋ ମୁହଠୂ ୟାମୁହଁ ପୁଣି ସୁନ୍ଦର ମୋର ଛେଳିପରି ଡଉଲର ମୁହଁରେ ସୁରାଘଡ଼ା ସୁନ୍ଦର ଢଳା ହେବା ଦେଖି ରାବଣ କେତେଥର ଭୋଳ ହୋଇ ମୋତେ ଅଙ୍ଗଲାଗି କରିଚନ୍ତି ।-(ଖଣ୍ଡା ଉଞ୍ଚାଇ) ପୋଡ଼ାମୁହିଁ, ରାବଣ କତିକି ଯାଉଚୁ ନା ଏହି ଖଣ୍ଡାରେ ତୋତେ ଖଣ୍ଡଖଣ୍ଡ କରି କାଟିବି ! ତୋର ରକ୍ତରେ ବସି ମୁହଁ ପଖାଳିବି । ତୋର ମାଉଁସ ସମସ୍ତେ ଖଣ୍ଡଖଣ୍ଡ କରି ଖାଇବୁଁ ।
ସୀତା ।- (ନମ୍ରଭାବେ) ମାନୁଷୀ କେବେ ରାକ୍ଷସର ଭାର୍ଯ୍ୟା ହୋଇ ନ ପାରେ । ତୁମେମାନେ ମୋତେ ଖାଇଯାଅ ଭଲ-ମୁଁ ତୁମମାନଙ୍କ କଥା ପାଳିପାରିବି ନାହିଁ । ଚଣ୍ଡୋ, ପ୍ରଷ୍ୱା, ଓ ଅଜା ।- (ଠୋ ଠୋ ହୋଇ ହସି) ପୁଣି ସେହିକଥା-ଏ ମଣିଷ ନୁହେ !
[ଖଡ଼୍ଗହସ୍ତେ ରାବଣର ପ୍ରବେଶ ।]
ରାବ ।- (ରାଗରେ କଟମଟ ଚକ୍ଷୁ ବୁଲାଇ) ରେ ସୀତା, ତୁ ମୋର ଭାର୍ଯ୍ୟା ହେବୁ କି ନାହିଁ କହ । (ଖଡ଼୍ଗ ଦେଖାଇ) ଆଉ ମୁଁ ସମ୍ଭାଳି ରହି ନ ପାରେଁ । ଏହିକ୍ଷଣି ତୋତେ ଏହି ଖଡ଼୍ଗରେ ଦୁଇଖଣ୍ଡ କରି ହାଣିପକାଇବି ।-ତୋରୂପରେ ମୋହିତ ହୋଇ ଉପଭୋଗ କରିବା ଲାଳସାରେ ଏତେକାଳ ତୋତେ ଜୀଆଇ ରଖିଛି, ସୁବର୍ଣ୍ଣମୟୀ ଲଙ୍କାପୁରୀ ତୋତେ ରୁଚିଲା ନାହିଁ ! ରତ୍ନ-ଅଞ୍ଜଳୀ ଘେନି ଦ୍ୱାରେ ଧରଣା ଦେଇଥିବା ରତ୍ନାକରବାହୀ ଚିରଶୀତଳ ମଳୟାନିଳ ତୋତେ ଫାବିଲା ନାହିଁ । ସାପ୍ତଭୂମିକ ସ୍ୱର୍ଗକୁ ନିଶୁଣିପରି ଉତ୍ତୁଙ୍ଗ ମଣିମୁକ୍ତାଖଚିତ ରତ୍ନପ୍ରାସାଦ ତୋର ଚିତ୍ତପ୍ରସାଦକ ହେଲା ନାହିଁ । ଗଜଦନ୍ତ ପଲଙ୍କରେ ମଣିମୁକ୍ତାଝରା ଲଗା ସୁନା ରୂପାର କାମରେ ଚକଚକ ସନ୍ନିଗ୍ଧ ଶେଯରେ ତୋ ଅଙ୍ଗ ଶୋଇଲା ନାହିଁ । ମୋର ଏ ସୁନ୍ଦର ଲଲାମ ଅପ୍ସରାବଞ୍ଛିତ ଚନ୍ଦନାଗୁରୁଚର୍ଚ୍ଚିତ ମହାର୍ହ ବସ୍ତ୍ରାଳଙ୍କାର ଶୋଭିତ ଦେହ ତୋର ଅଙ୍ଗଭୂଷଣ ହେଲାନାହିଁ !- (ଅତି କ୍ରୋଧରେ ଧାଇଁଯାଇ ଦାନ୍ତ କନମଡ଼ କରି) ତୋରି ହେତୁ ମୋର ପୁଅ ଭାଇ ସମସ୍ତେ ମଲେ ! ତୋତେ ପାଇବି ବୋଲି ବୃଥା ଲାଳସାରେ ମନ୍ଦୋଦରୀ ସୁଦ୍ଧା ମୋତେ ରୁଚିଲା ନାହିଁ । ତୁ ଥିବୁ ନା ତୋର ଲେଙ୍ଗୁଟିଆ ଘଇତା କତିକି ଯିବୁ । (ବଧାର୍ଥ ଖଡ୍ଗ ଉତ୍ତୋଳନ ।)
[ବେଗେ ସୁପାର୍ଶ୍ୱ, ମହାପାର୍ଶ୍ୱ, ମନ୍ଦୋଦର ଓ ବିରୂପାକ୍ଷର ପ୍ରବେଶ ।]
ସୁପା ।- (ହାତ ଉଠାଇ) ହଁ ।-ହଁ ।- କି କରୁଛନ୍ତି ମହାରାଜ ! ଆପଣ ବୈଶ୍ରବଣର ମା-ପେଟର ସାନ ଭାଇ ହୋଇ ଦଶଗ୍ରୀବ ନାମ ଧରି ବୈଦେହୀକି ବଧ କରିବାକୁ ଯାଉଛନ୍ତି ! ହେ ବୀରରକ୍ଷସେଶ୍ୱର ! ଆପଣ ବେଦବିଦ୍ୟାପରଦର୍ଶୀ ବ୍ରତ-ସ୍ନାନ-ଶୀଳ ନିତ୍ୟ ଅଗ୍ନିହୋତ୍ରାଦି ସ୍ୱକର୍ମନିରତ ହୋଇ ସୁଦ୍ଧା ସ୍ତ୍ରୀବଧ କରିବାକୁ ଉଦ୍ୟତ ହେଉଛନ୍ତି ! ରାମ ଉପରେ ଆପଣଙ୍କର କୋପ ହେବା ଉଚିତ । ବରବର୍ଣ୍ଣିନୀ ମୌଥଳୀକି ଛାଡ଼ି ଆମ୍ଭମାନଙ୍କ ସହିତ ରଣକ୍ଷେତ୍ରକୁ ବିଜେ ହେଉନ୍ତୁ । ଆଜି କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ-ଆଜି ଯୁଦ୍ଧର ଆୟୋଜନ କରି କାଲି ଅମାବସ୍ୟାରେ ଅସଂଖ୍ୟ ସେନା ଘେନି ବିଜୟାର୍ଥ ଯାତ୍ରା କରିବା । ମହାରାଜ ! ଆପଣ ଶୂର ! ଆପଣ ଧୀମାନ୍ । ଆପଣ ଦିବ୍ୟ ରଥରେ ଚଢ଼ି ଖଡ଼୍ଗଦ୍ୱାରା ଦାଶରଥି ରାମଚନ୍ଦ୍ରକୁ ବଧ କରି ଜନକନନ୍ଦିନୀ ସୀତାକୁ ଲାଭ କରନ୍ତୁ ।
ମହା ।- (ହାତଯୋଡ଼ି) ମୋର ସେହି କଥା ।
ମନ୍ଦୋ ।- (ତଦ୍ବତ୍) ମୋର ସେହି ପ୍ରାର୍ଥନା ।
ବିରୂ ।- (ତଦ୍ବତ୍) ପ୍ରବଳ ଶତ୍ରୁକୁ ଛାଡ଼ି ଅବଳା ଉପରେ ବଳପ୍ରକାଶରେ ନୀତିବିଦ୍ୟା, ପୌରୁଷ, ଚୌରବ ସବୁନଷ୍ଟ ହେବ ।
ରାବ ।- (ହାତ ଫେରାଇ ଦାନ୍ତ କଡ଼ମଡ଼ କରି) ଠିକ୍ କହିଛ । ୟାକୁ ମାରି କି ଲାଭ ! ରାମକୁ ହାଣି ପକାଇଲେ ସୀତା ବଳେ କୋଳରେ ଶୋଇବେ । (ଖଡ୍ଚ ଦେଖାଇ) ଏହି ଖଡ଼୍ଗରେ ରାମକୁ ହାଣି ତାହାର ରକ୍ତପିଇ ଜାନକୀଙ୍କି ଲଙ୍କାର ରାଣୀ ରାବଣର ହୃଦୟେଶ୍ୱରୀ କରିବି । ଚାଲ-ଏହିକ୍ଷଣି ସେନା ସଜାଅ ।
[ଆଗେ ଆଗେ ରାବଣ ଓ ତତ୍ପଶ୍ଚାତ୍ ସୁପାର୍ଶ୍ୱ, ମହାପାର୍ଶ୍ୱ, ମନ୍ଦୋଦର ଓ ବିରୂପାକ୍ଷର ପ୍ରସ୍ଥାନ ।]
ଚଣ୍ଡୋ, ପ୍ରଷ୍ୱା ଓ ଅଜା ।- (ନାଚୁ ନାଚୁ) ହେଁ, ହେଁ ।-ଆଉ ଦିନେ-କାଲି ରାମ ମରିବ କାଲି ଲଙ୍କାର ରାଣୀହେବୁ-କାଲି ରାବଣର ହୃଦୟେଶ୍ୱରୀ ହେବୁ-କାଲି ଆମେ ରଙ୍ଗ ଦେଖିବୁଁ-ଆନନ୍ଦରେ ଗଡ଼ିଯିବୁଁ-ମନ୍ଦୋଦରୀ ଛାଡ଼ି ସୀତା ରାଣୀ ! ବାଃ ବାଃ ବାଃ !-ଚାଲ ସବୁ ଖାଇ ଆସିବା-ଏଟା ଏଠି ପଡ଼ିଥାଉ । (ପ୍ରସ୍ଥାନ ।)
ସୀତା ।- ଗଲା ପାପ ଗଲା । ରାବଣର କଥାରେ ତାର ଆଉ କିଛି ଅମଙ୍ଗଳ ହେଲା ପରି ଜଣାଯାଏ । ଇନ୍ଦ୍ରଜିତ ମରି ନ ଥିଲେ ୟାକୁ କାହିଁକି ଯୁଦ୍ଧକୁ ଯିବା ସକାଶେ ମନ୍ତ୍ରୀମାନେ ପରାମର୍ଶ ଦେଇଥାନ୍ତେ ? ବର୍ତ୍ତମାନ ତ ରଣଭୂମିରେ ସବୁ ଶୂନ୍ୟ ଜଣାଯାଉଚି ।-କାହିଁ, ସରମାସୁନ୍ଦରୀ କୁଆଡ଼େ ଗଲେ ?
[ସରମାର ପ୍ରବେଶ ।]
ସର ।- (ଆନନ୍ଦରେ ଗଦ୍ଗଦ୍ ହୋଇ) ସଖି, ଶାନ୍ତ ହୁଅ । ଇନ୍ଦ୍ରଜିତ ରଣଭୂମିରେ ମରି ପଡ଼ିଚି-ଅସୁର ହଣା ହୋଇଚନ୍ତି ଏତେ ସେ ଯୁଦ୍ଧଭୂମିରେ ଭୂଇଁ ଦିଶୁନାହିଁ । ଯେ ବଞ୍ଚିଥିଲେ ଅସ୍ତ୍ରଶସ୍ତ୍ର ଛାଡ଼ି ପ୍ରାଣ ଘେନି ପଳାଇଚନ୍ତି । ଲଙ୍କାପୁରୀରେ ଘରେ ଘରେ କାନ୍ଦବୋବାଳି ପଡ଼ିଚି । ଏବେ ରାବଣଟା ଗଲେ ତୁମେ ରାମଚନ୍ଦ୍ରଙ୍କର ହୃଦୟେଶ୍ୱରୀ ହୋଇ ଚରାଚର ଉଜ୍ଜ୍ୱଳ କରିବ ।
ସୀତା ।- (ଆନନ୍ଦରେ ଉଠି ସରମାକୁ କୁଣ୍ଢାଇଧରି) ସଖି ! ତୁମ ବିନା ଏ ବିପତ୍କାଳରେ ଆଉ କିଏ ତାପିତପ୍ରାଣରେ ଶାନ୍ତିବାରି ଢାଳନ୍ତା । ସଖି, ତୁମର ସ୍ୱାମୀ ଏ କାଳରେ ଆର୍ଯ୍ୟଙ୍କର ସହାୟ ହୋଇଚନ୍ତି । ସେ ସହାୟ ହେଲା ସମ୍ବାଦ ତୁମଠାରୁ ପାଇଲାଦିନୁ ମୋ ମନରେ କୌଣସି ବିପଦର ଆଶଙ୍କା ନାହିଁ କି ବିଜୟ-ଲାଭରେ ସନ୍ଦେହ ନାହିଁ । ସଖି, ଏବେ ଦୁରାଚାର ରାବଣଟା ମଲେ ତୁମେ ବିଭୀଷଣକୋଳରେ ଲଙ୍କେଶ୍ୱରୀ ହେବ !-ସଖି, ରାବଣଟା ଏହିକ୍ଷଣି ଆସି ମୋତେ ମାରିବାକୁ ଖଣ୍ଡା ଉଞ୍ଚାଇ ଥିଲା । -ମନ୍ତ୍ରୀମାନେ ସ୍ତ୍ରୀବଧ ଅନ୍ୟାୟ କହି ଯୁଦ୍ଧରେ ଆର୍ଯ୍ୟପୁତ୍ରଙ୍କୁ ନିହତ କରିବାର ପରାମର୍ଶ ଦେଇ ବାହୁଡ଼ାଇ ନେଲେ ।-ଆଜି ଯୁଦ୍ଧର ଆୟୋଜନ କରି କାଲି ବାହାରିବେ ।-ସଖି, ମୁଁ ମୋ କପାଳ ଘେନି ଥାଏଁ, ତୁମେ ଯାଇଁ ରାବଣର ଗତିବିଧିର ସନ୍ଧାନ ଘେନ । ଏହିକ୍ଷଣି ଦୁଷ୍ଟା ରାକ୍ଷସୀଗୁଡ଼ାକ ଆସିବେ । ମୋର ମନ ଆଶ୍ୱସ୍ତ ଅଛି ।
ସର ।- ତେତିକି ମୋର ଲୋଡ଼ା । ଯୁଦ୍ଧବେଳେ ମନକୁ ଅଧୀର କରିବ ନାହିଁ । ଧୈର୍ଯ୍ୟ ଧରି ଜଗଦୀଶ୍ୱରଙ୍କ ଠାରେ ସମସ୍ତ ଅର୍ପଣ କରି ଫଳକୁ ଅନାଇ ରହିବା କର୍ତ୍ତବ୍ୟ ।- ମୁଁ ଚାଲିଲି । (ସୀତାର ବାହୁବନ୍ଧନ ଛଡ଼ାଇ ପ୍ରସ୍ଥିତା ।)
ପଟପରିବର୍ତ୍ତନ ।
[ମନ୍ଦୋଦରୀ ପଲ୍ୟଙ୍କୋପରି ଆସୀନା । ପରିଚାରିକାମାନେ ପାର୍ଶ୍ୱେ ଦଣ୍ଡାୟମାନା ।]
ମନ୍ଦୋ ।- ଆଜି ତିନିଦିନ ତିନିରାତି ଶେଷ ହେଲା ମୋର ପୂଅ ଇନ୍ଦ୍ରଜିତ ଆଉ ଲକ୍ଷ୍ମଣର ଘୋର ଯୁଦ୍ଧ ଲାଗିଚି । ଯୁଦ୍ଧରେ ବିରାମ ନାହିଁ । ପୁଅପରି ବୀର ବ୍ରହ୍ମାଣ୍ଡରେ ନାହିଁ । ଯେ କ୍ଷଣକେ ଇନ୍ଦ୍ରକୁ ଧରିନେଇ ଆସିପାରେ ସେ କାହିଁକି ତିନିଦିନ ତିନିରାତି ଲଢ଼ିବି ଲକ୍ଷ୍ମଣକୁ ମାରିପାରୁନାହିଁ ? ମୋର ମନରେ ଭାରୀ ଚିନ୍ତା ହେଉଚି-ମନ ଘାଣ୍ଟି ହୋଉଚି । ମୁଁ ଶେଷରାତ୍ରରେ ସ୍ୱପ୍ନ ଦେଖିଲି ଲଙ୍କାଦେବୀ ମୋତେ ଉଠାଇ କହୁଚନ୍ତି ହନୁମାନ ଆସିଲ ଦିନ ତାଙ୍କୁ ପରାଜୟ କରିବାରୁ ସେ ଭୟରେ ସ୍ତମ୍ଭିତ ହୋଇଚନ୍ତି,-ଆଉ ଲଙ୍କା ରକ୍ଷା କରିପାରିବେନାହିଁ । ରାମର ଧର୍ମବଳ ଅଧିକ-ଲକ୍ଷ୍ମଣବି ଧର୍ମାତ୍ମା ଇନ୍ଦ୍ରଜିତ ଲକ୍ଷ୍ମଣ ହାତରୁ ପାର ପାଇବ ନାହିଁ-ମହାରାଜଙ୍କର ମଧ୍ୟ ରାମଚନ୍ଦ୍ରଙ୍କ ହାତରୁ ନିସ୍ତାର ନାହିଁ-ସୀତାକୁ ମହାରାଜ ଆଣିଲା ଦିନରୁ ମୋ ମନରେ ପାପ ଛୁଇଚି-ଆଜି ଏ ସ୍ୱପ୍ନ ଦେଖି ମୋ ମନ ଭାରୀ ଘାଣ୍ଟିଚକଟି ହେଉଚି ।-ଚାଲ ସମସ୍ତେ ଏହିକ୍ଷଣି ଯାଇ ଲଙ୍କା ଦେବୀଙ୍କି ମାର୍ଜ୍ଜନା କରିବା-ସେ ସନ୍ତୁଷ୍ଟା ନ ହେଲେ ଆମମାନଙ୍କୁ-ଏ ଲଙ୍କାପୁରୀକି ରକ୍ଷା କରିବ କିଏ ?
ଜନୈକ ପରି ।- ଯେ ଆଜ୍ଞା ମଣିମା, ଏ କାମ କରିବା ଆଗ ।- ସବୁତ ଗଲାଣି ! ଖଣ୍ଡିକ ବୋଲି ପୁଅ ଅଛି-ସେ ଯିବା ଆଗୁଁ ଆମେ ନ ଗଲୁଁ କାହିଁକି ? ଦେବୀଙ୍କି ମାଜଣା କରାଇ ଭୋଗରାଗ ଦେଇ ପ୍ରସନ୍ନା କରିବା-କପାଳରେ ଯାହା ଥିବ ।
ମନ୍ଦୋ ।- ତେବେ ଚାଲ ଆଉ ବିଳମ୍ବ କରିବାର ନୁହେ (ପଲ୍ୟଙ୍କରୁ ଓହ୍ଲାଇ ତଳେ ଦଣ୍ଡାୟମାନା) ।
[କାନ୍ଦୁ କାନ୍ଦୁ ଜନୈକ ଦାସୀର ପ୍ରବେଶ ।]
ଦାସୀ ।- (କାନ୍ଦୁ କାନ୍ଦୁ) ସମ୍ପଦ ସଇଲା-ଇନ୍ଦ୍ରଜିତ ହାଣ ଖାଇଲେ !
ମନ୍ଦୋ ।- (ଉଚ୍ଚକ୍ରନ୍ଦନସ୍ୱରେ) କଣ କହିଲୁ ଦାସି ! ମେଘନାଦ !-(ମୂର୍ଚ୍ଛାଗତା ହୋଇ ପତିତା ।)
ଜ, ପରି ।- (ଦଉଡ଼ି, ନିକଟକୁ ଯାଇ ନିରୀକ୍ଷଣପୂର୍ବକ) ,ତ ମୂର୍ଚ୍ଛାଯାଇ ପଡ଼ିଗଲେ । ପାଣି,-ପାଣି ଆଣ-
ଦାସୀ ।- (ତ୍ରସ୍ତଭାବେ) ମୁଁ ଆଣୁଚି । (ନିଷ୍କ୍ରାନ୍ତା ।)
ଜ, ପରି ।- ହାୟ ! ଦେବୀ ଲଙ୍କେଶ୍ୱରୀ ହୋଇ ସ୍ୱାମିପାପଯୋଗୁଁ କେତେ କଷ୍ଟ ସହିଲେ । ଇନ୍ଦ୍ରଜିତ ପରି ପୁଅକୁ ଜନ୍ମ ଦେଇ ଶେଷକୁ ଆଣ୍ଠୁକୁଡ଼ୀ ହେଲେ । ସ୍ୱାମିର ପାପ, ସ୍ୱାମିର ପରସ୍ତ୍ରୀଗମନ-ଶଶ ସଉତୁଣୀଙ୍କ ଭିତରେ ଥାଇସୁଦ୍ଧା ପୁଅଙ୍କ ବିଭବରେ ସବୁ ପାସୋରିଥିଲେ । ଆଉ କାକୁ ଦେଖି ବଞ୍ଚିବେ ?
[ଦାସୀର ଜଳପାତ୍ର ହସ୍ତେ ପୁନଃପ୍ରବେଶ ।]
ଦାସୀ ।- ହେଇ, ନିଅ- (ଜଳପାତ୍ର ବଢ଼ାଇ ଦେବା ।)
ଜ, ପରି ।- (ଜଳ ପାତ୍ର ନେଇ ଧୀରେ ଧୀରେ ମନ୍ଦୋଦରୀମୁଖରେ ସିଞ୍ଚୁ ସିଞ୍ଚୁ) ହା ଭଗବନ୍ । ଏଡ଼େବଡ଼ ଗାଦିରେ ବସାଇ ଏତେ କଷ୍ଟ କପାଳରେ ଲେଖିଚ ! ତ୍ରିଭୁବନବିଜୟୀ ଲଙ୍କେଶ୍ୱର ଯାହା ଚରଣରେ ଧନ ରତ୍ନ ଐଶ୍ୱର୍ଯ୍ୟାଦି ସବୁ ଲୁଟାଇଦେଇଚି ତା କପାଳରେ ଏ ହୀନମାନିଆ ଅବସ୍ଥା ! ଲଙ୍କେଶ୍ୱରୀ ବୋଲି ଯାର ଗୋଡ଼ ଭୂଇଁରେ ନ ଲାଗେ ସେ ପୁଣି ଆଜି ଭୂଇଁରେ ଦୀନା ହୋଇ ଗଡ଼ାଗଡ଼ି ଯାଉଚି !-ଆମେମାନେ ଆଉ କାକୁ ଘେନି ବଞ୍ଚିବୁଁ ! ଜଣକର ପାପରୁ ଆମମାନଙ୍କର କପାଳ ବି ଫାଟିବାକୁ ବସିଲା !
ମନ୍ଦୋ ।- (ଟିକିଏ ସଂଜ୍ଞାପ୍ରାପ୍ତ ହୋଇ) ପରିଚରି ! ତୁ ମୋର ପ୍ରାଣ ରଖିବାକୁ କାହିଁକି ଚେଷ୍ଟା କଲୁ-ମୁଁ ମରିଯାଇ ପରଲୋକରେ ପୁଅ ମୁହ ଚାହିଁ ଜୀବନ ଧରି ରହିଥାନ୍ତି ! ଏ ଲୋକ ମୋପାଇଁ ନୁହେ !-ଯାଙ୍କୁ ଦେବତା ମଣି ହୃଦୟରହାର ଜ୍ଞାନ କରି ନିଷ୍କପଟମନରେ ପଦସେବା କରୁଥିଲି ସେ ପରସ୍ତ୍ରୀରେ ମନ ଦେଇ ପତିବ୍ରତା ସୀତାଙ୍କୁ ଚୋରାଇ ଆଣି ଘୋର ପାପସାଗରରେ ବୁଡ଼ି ସମସ୍ତଙ୍କୁ ବୁଡ଼ାଇ ମାରିଲେ-ସେ ବୁଡ଼ିମରିବା ଆଗୁଁ ମୋତେ ମରିବାକୁ ନ ଦେଇ, ପରିଚରି, ମୋର କେତେ ଅନିଷ୍ଟ କଲୁ ! ହାୟ ! ମୋର ଦୁଃଖ-ମୋର କଷ୍ଟ-ମୋର ପ୍ରାଣର ଯନ୍ତ୍ରଣା ତୁମେମାନେ କଣ ବୁଝିବ ? ମୁଁ ଘୋର ପାପୀୟସୀ । ବୋଧହୁଏ ମୁଁ ପୂର୍ଣ୍ଣମାତ୍ରାରେ ସ୍ୱାମୀ ସେବା କରିପାରିନାହିଁ ।-ସେହି ହେତୁ ମୋତେ ଏ ଦଣ୍ଡ ମିଳିଲା । ପୁଅ ଜନ୍ମ କରି ମୁଁ ଏବେ ଆଣ୍ଠୁକୁଡ଼ୀ ହୋଇ ମରିବି । ହା ବିଧାତଃ ! ଏ ହୃଦ ଏତେ ଦୁଃଖରେ ବି ଫାଟି ଯାଉନାହିଁ କାହିଁକି ! ଆଉ କିସ ପାଇଁ ଏତେ ଦୁଃଖ ସହି ବଞ୍ଚିଚି!- ଲଙ୍କାଦେବୀ ଆମମାନଙ୍କୁ ଛାଡ଼ି ଚାଲି ଗଲେଣି । ସେ ଥିଲେ କି ମଣିଷଦାଉ ଏ ପୁରୀରେ ପଶିପାରନ୍ତି ! (ଉଠିବସି) ପରିଚରି ! ମୋ ତଣ୍ଟି ଶୁଖିଯାଉଚି, ଟିକିଏ ପାଣିଦେ ।
ଜ, ପରି ।- (ପାଣି ସାମସାଇରେ ଗଡ଼ାଇ ବଢ଼ାଇଦେଉଁ ଦେଉଁ) ଦେବି ! ଲଙ୍କେଶ୍ୱରି ! ଥୟ ହୁଅ ନିଅ, ପାଣିପିଅ ! (ସାମସାଇ ବଢ଼ାଇ ଦେବା ।)
ମନ୍ଦୋ ।- (ସାମସାଇ ଘେନି ପାଣିପିଇ ସାମସାଇ ତଳେ ରଖି) ପରିଚରି ! ମୁଁ ଆଉ ଲଙ୍କେଶ୍ୱରୀ ନୁହେଁ-ମୁଁ ଏବେ ଲଙ୍କାର ବାଟର ଭିକାରିଣୀ ! ମୁଁ ପୁଅ ମୁଣ୍ଡଖାଇ ପୋଡ଼ାମୁହୀଁ ! ମୋର ମୁହ ଅନାଇବା ଲେଖିନାହିଁ ! ହା ଧିକ ମୋତେ ! (ଛାତିରେ ହାତ ବାଡ଼େଇବା ।)
ଜ,ପରି ।- (ହାତଧରି) ଛି ଦେବି ! ଏପରି ଅସ୍ଥିର ହେଲେ କି ହେବ ! ମଲା ପୁଅ ବିକଳ ହେଲେ କି ଆଉ ମିଳିବ ! ତୁମେ ଏପରି ଅଥୟ ହେଲେ ଆମେମାନେ କିସ କରିବୁଁ -ଲକ୍ଷେ ପ୍ରାଣିଙ୍କି ଦାନା ଦେବ କିଏ ?
ମନ୍ଦୋ ।- (ବିକଳସ୍ୱରେ) ଆଉ ଲକ୍ଷେ ପ୍ରାଣୀ ! ଆସ, ମୁଁ ପୁଅପାଇଁ ମରିବି-ସମସ୍ତେ ମୋ ସଙ୍ଗେ ମରିବ ! ମୁଁ ଏବେ ଆପଣାକୁ ପୋଷିବାକୁ ଅକ୍ଷମ-ପରକୁ ପୋଷିବି କାହୁଁ ? ସେ ଦିନ ଗଲାଣି ! ଲଙ୍କାର ଶିରୀ ତୁଟିଲା-ଲଙ୍କେଶ୍ୱରଙ୍କ ମଉଢ଼ମଣି ଖସିଲା ।-ହୃଦୟମଣି ହରାଇ ମୋର ଚେତନା ବୁଡ଼ିଯାଇଚି ।
[ରାବଣର ପ୍ରବେଶ ।]
ରାବ ।- (ଚକିତଭାବେ) ଲଙ୍କେଶ୍ୱରି ! ଲଙ୍କେଶ୍ୱରୀ କାହିଁକି-ତୁମେମୋର-ଦିଶାନନ ରାବଣର ଭାର୍ଯ୍ୟା ହୋଇ ତ୍ରିଭୁବନେଶ୍ୱରୀ ! ତୁମେ ଶେଯ ଛାଡ଼ି ଭୁଇଁରେ ଦୀନା ହୋଇ ବସିଛ କାହିଁକି ? ଯୁଦ୍ଧ ହେଲେ କେତେ କେତେ ଘଟନା ଘଟେ ।- ଏହାପାଇଁ ଏତେ ବିକଳ !
ମନ୍ଦୋ ।- (ଧୀରେ ଉଠି ରାବଣର ପାଦରେ ମସ୍ତକ ଲଗାଇ) ସ୍ୱାମିନ୍ ! ମୋର ଇଷ୍ଟଦେବ ! ମୋର ଜୀବନସର୍ବସ୍ୱ ! ମୁଁ ଗୋଡ଼ତଳେ ପଡ଼ି କହୁଚି-ତୁମେ ଥିଲେ ମୋର ସବୁଅଛି । ତୁମେ ବଞ୍ଚିଥିଲେ ମୁଁ ଆକାଶଚାନ୍ଦ ହାତେ ପାଇ କୁଣ୍ଢେ ରୋଟ ହୋଇ ବଞ୍ଚିଥିବି । ତୁମେ ତ୍ରଭୁବନର ରାଜା-ତହିଁ ଉପରେ ମୋର ହୃଦୟର ରାଜା ! ତୁମେ କଥା ଉପରେ ମୋର କଥା ନାହିଁ । ତୁମେ କତିରେ ଥିଲେ ମୁଁ ବୈକୁଣ୍ଠରୁ ବଳି ଆସନ ପାଏଁ । ମୋର କୁଳଠାରୁ ସୀତାର କୁଳ ଅଧିକ ନୁହେ । ମୋର ରୂପଠାରୁ ସୀତାର ରୂପ ଅଧିକ ନୁହେ । ମୋର ଦାକ୍ଷିଣ୍ୟ କତିରେ ସୀତା ଥାକି ପାରିବ ନାହିଁ । ସେ ଅଲକ୍ଷଣୀ ହେତୁ ଲଙ୍କା ହତଶ୍ରୀ ହଉଚି ! ମୁଁ ଗୋଡ଼ତଳେ ପଡ଼ି କହୁଚି ସେ ସୀତାକୁ ରାମକୁ ଦେଇଦିଅ । ମୋର ବାପ ଦାନବ ରାଜ ମୟ । ମୋର ଭର୍ତ୍ତା ରାକ୍ଷସରାଜ ତ୍ରିଭୁବନେଶ୍ୱର ତୁମେ !-ମୋର ପୁଅ ସୁରେନ୍ଦ୍ର ବିଜୟୀ ମେଘନାଦ । ସବୁ ଗଲା ଗଲା-ତୁମେ ବଞ୍ଚିଥିଲେ ମୋର ସବୁ ଅଛି ! ତୁମେ ବଞ୍ଚିଥିଲେ କାଲି ସକାଳେ ଯେଉଁ ଲଙ୍କାକୁ ସେହି ଲଙ୍କା କାହିଁକି ତହୁଁ ବଳି ମିଳିବ !-ତୁମେ ବଞ୍ଚିଥିଲେ ଅଧିକ ତେଜସ୍ୱୀ ପୁଅ ମିଳିବ। ମାତ୍ର ଯାହା ଘେନି ଏତେ ଦୁର୍ଦ୍ଦଶା ତାକୁ ଲଙ୍କାରୁ ବାହାର କରି ରାମ ସଙ୍ଗେ ଦରିୟା ପାରି କରିଦିଅ ।
ରାବ ।- (ହାତ ଧରି ମନ୍ଦୋଦରୀକି ଉଠାଇ ଗର୍ବିତଭାବେ) ତୁମଠି ତିଳମାତ୍ର ରାକ୍ଷସର ଭାବ ନାହିଁ । ଦାନବରାଜ ମୟ-କନ୍ୟା ହୋଇ ଏତେ ହାଲୁକା ! ଦେବରାଜ ଇନ୍ଦ୍ର ବିଜୟୀ ଇନ୍ଦ୍ରଜିତର ମାତା ହୋଇ ତୁମ୍ଭଠି କଡ଼ାକର ତେଜ ନାହିଁ। ତୁମ୍ଭେ ବୀରପତ୍ନୀ ହୋଇ ଅବୀରା ପରି କଥାକହୁଛ ! ପର-ସ୍ତ୍ରୀ-ହରଣ ରାକ୍ଷସମାନଙ୍କର ଧର୍ମ । ମୁଁ ପରସ୍ତ୍ରୀ ଆଣି ତାକୁ ଫେରାଇ ଦେଇ ସ୍ୱଧର୍ମର ହାନି କରିପାରିବି ନାହିଁ ।-(କ୍ରୋଧଭରେ) ବିଶ୍ରବାନନ୍ଦନ ତ୍ରିଭୁବନ-ନରେଶ ଦଶାନନ ରାବଣ ଏ ଅପମାନ ସହ ପାରିବନାହିଁ । ବୀରର ଜୀବନ ଯିବ ତଥାପି ସ୍ୱାଧୀନତା ହରାଇବ ନାହିଁ କି ପରପଦାନତ ହେବ ନାହିଁ ।-ରୂପ, ଗୁଣ ଆଉ ଦାକ୍ଷିଣ୍ୟରେ ସୀତା ତୁମ୍ଭଙ୍କୁ ସରି ନ ହେଲେ ବି ମୁଁ ଯେତେବେଳେ କାଳବଶରେ ମୋହିତ ହୋଇ ଆଣିଛି ତେତେବେଳେ ମୋର ମର୍ଯ୍ୟାଦା ରଖିବି-ରଖିବି । ସେ ମର୍ଯ୍ୟାଦା ରଖିବା ପାଇଁ ତୁମ୍ଭଙ୍କୁ ତ୍ୟାଗ କରିପାରେଁ-ଏ ଜୀବନ ଥିବାଯାଏ ସୀତାକୁ ପ୍ରତ୍ୟର୍ପଣ କରିପାରିବି ନାହିଁ।
ମନ୍ଦୋ ।- (କରଯୋଡ଼ି) ହୃଦୟେଶ ! ତୁମର ପରାକ୍ରମ ମୋତେ ଜଣାଅଛି-ତ୍ରିଭୁବନରେ ଏମନ୍ତ ଦେବ ଦାନବ ରାକ୍ଷସ କେହି ନାହିଁ ଯେ ତୁମକୁ ପରାଜିତ କରିପାରିବ । ତୁମର ଅଟଳ ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ସେହିବର ଦେଇଚନ୍ତି । ମୋ ମନକୁ କେମନ୍ତ ଲାଗୁଚି-ତୁମେ ମଧ୍ୟ ନିଜେ ମୋତେ କହିଚ, ତହିଁରେ ମନୁଷ୍ୟର ନାମ ନ ଥିବାରୁ ମନୁଷ୍ୟଠାରୁ ତୁମ୍ଭର ଭୟ ହୋଇପାରେ । ଯେବେ ଭୟର ଆଶଙ୍କା ଅଛି ତାହା ଏଡ଼ିବା ମୋ କ୍ଷୁଦ୍ର ବିବେଚନାରେ ଉଚିତ । ନାଥ ! ତୁମେ ମୋତେ ତ୍ୟାଗ କଲେ ମୋର କ୍ଷୋଭ ନାହିଁ । ତୁମେ ବଞ୍ଚିଥିଲେ ମୋର ସବୁହେଲା ତୁମକୁ ଦେଖିଥିଲେ ମୁଁ କୋଟିନିଧି ପାଉଥିବି ! ତୁମେ ବଞ୍ଚିଥିଲେ କୋଟି ସୀତା ତୁମର ପାଦ ଖଟିବେ । ଦେବଲୋକ, ନାଗଲୋକ, ଗନ୍ଧର୍ବ ଲୋକ ସବୁଠାରୁ ତୁମେ ରମଣୀରତ୍ନ ଆଣିଚ-ସମସ୍ତେ ତୁମର ଚରଣ ସେବା କରୁଚନ୍ତି । ଶତ ଶତ ରାକ୍ଷସରମଣୀ ମୋର ସଉତୁଣୀ ହେଲେହେଁ ମୋତେ ଶ୍ରେଷ୍ଠାସନ ଦେଇ ତୁମେ ଯଥେଷ୍ଟ ଅନୁଗ୍ରହ କରିଚ । ମୁଁ ବାରବାର ମିନତି କରି କହୁଚି ଯାହା ଘେନି ଏତେ ଅନିଷ୍ଟ ହେଲାଣି-ଯେଉଁ ଅଲକ୍ଷଣୀ ନାରୀ ସକାଶେ ଲଙ୍କାର ଶିରୀ ତୁଟି ଯାଇଚି, ଯାହା ପାଇଁ ଶତଶତ ରାକ୍ଷସୀ ବିଧବା ହୋଇ ଲଙ୍କାନଗରୀକୁ କ୍ରନ୍ଦନରୋଳରେ ଭସାଇ ଦେଇଚନ୍ତି, ଯା ଘେନି ମୋର ଗଣ୍ଠିଧନ ଅକ୍ଷୟକୁମାରର କ୍ଷୟ ହେଲା, ଯା ହେତୁ ମୋର ଅଞ୍ଚଳନିଧି ମେଘନାଦ ଅଞ୍ଚଳରୁ ଖସିଗଲା, ତାକୁ ଫୋଫାଡ଼ି ଦେଲେ ନଟ ଛିଡ଼ିଯିବ । ରାମ ସୀତା ପାଇଲେ ବାହୁଡ଼ି ଯିବ (ପାଦ ଧରି) ମୁଁ ପାଦ ଧରି ମାଗି ନେଉଚି ସୀତାକୁ ଫେରାଇ ଦେଇ ଆପଣାର ମହତ୍ତ୍ୱ ରଖ । ମୋର ଶାଶୁ ସେହି କଥା କହିଥିଲେ ତୁମେ ରଖିଲ ନାହିଁ । କୁମ୍ଭକର୍ଣ୍ଣ ସେହିକଥା କହିଥିଲେ-ଗାଳିଖାଇ ଲଢ଼ିବାକୁ ଯାଇ ଜୀବନ ଦେଲେ ! ମୁଁ ବଡ଼ ଦୁଃସ୍ୱପ୍ନ ଦେଖିଚି-ଲଙ୍କାଦେବୀ ଲଙ୍କା ଛାଡ଼ିଗଲେ ! ମୋ ମନ ଘାଣ୍ଟୁଚି ।-ଯଦି ଯୁଦ୍ଧକୁ ଯିବ ମୋତେ ମାରିଯାଅ !
ରାବ ।- (କ୍ରୋଧଭରେ ଗୋଡ଼ ଛିଞ୍ଚାଡ଼ିଦେଇ ଦାନ୍ତ କଡ଼ମଡ଼ କରି) ସ୍ତ୍ରୀଲୋକ ମାରିବାର ହୋଇଥିଲେ ମୁଁ ସୀତାକୁ ହାଣି ଦୁଇଖଣ୍ଡ କରି ତାର ମାଂସ ଚୋବାଇ ଯାଇଥାନ୍ତି-ପୃଥିବୀ ଶାନ୍ତ ହୋଇଥାନ୍ତା ! ତୁମେ ମୋର ବୀରତ୍ବ-ମୋର ପ୍ରଭାବ ଜାଣୁ ଜାଣୁ କହୁଚ ସୀତାକୁ ଫେରାଇ ଦେଇ ଆପଣା ପରାଭବ ମାନିଯିବି ! (ଛାତିରେ ହାତ ମାରି) ଏ ଜୀବନେ ଆଉ ମୁଁ କାପୁରୁଷର କାର୍ଯ୍ୟ କରିବି ନାହିଁ । ରାମ ନ ଜାଣେ କି ମୋର ଗୋଟାଏ ମୁଣ୍ଡ ନୁହେ-ଦଶମୁଣ୍ଡ! ଦଶଗ୍ରୀବ ରାବଣ ରାମ ଲକ୍ଷ୍ମଣ ଦୁଇଟାକୁ ଦୁଇଟା କଳରେ ପୂରାଇ ଦେଇ କଡ଼ ମଡ଼ କରି ଚୋବାଇ ପାରିବ । ଦେବତା ମନୁଷ୍ୟଠାରୁ ବଡ଼-ଯେତେବେଳେ ଦେବଲୋକରେ କେହି ମୋତେ ମାରି ପାରିବେ ନାହିଁ-ଯେତେବେଳେ ମନୁଷ୍ୟ ମୋତେ ମାରି ପାରିବ ଏ ହାସ୍ୟାସ୍ପଦ କଥା । ନାରୀଜାତି ସ୍ୱଭାବତଃ ଭୀରୁ ! ପ୍ରିୟେ, କିଛି ଭୟ ନ କର । କାଲି ଅମାବାସ୍ୟାରେ ମୁଁ ଯାତ୍ରା କରି ରାମନାମ ପୋଛି ପକାଇ ରାମଛାଉଣିରେ ଅନ୍ଧାର ଘୋଟାଇବି । ମୋର ଯେଉଁ କ୍ରୋଧ ହୋଇଛି ସହସ୍ର ସହସ୍ର ମାଙ୍କଡ଼ ଭାଲୁ ଚୋବାଇ ଗଲେ ବି ତା କ୍ଷାନ୍ତ ହେବ ନାହିଁ ।-ମୁଁ ରାମଲକ୍ଷ୍ମଣ ସହିତ ତାଙ୍କର ସମସ୍ତ ସେନାକୁ ଉଦରସ୍ଥ କରି ବିଜୟବାନା ଲଙ୍କାରେ ଉଡ଼ାଇ ତୁମ୍ଭରି ଆଗରେ (ନିଶ ମୋଡ଼ି) ଯେବେ ସୀତାକୁ କରଗତ ନ କରିଛି ତେବେ ମୁଁ ବିଶ୍ରବାନନ୍ଦନ ରାବଣ ରାକ୍ଷସରାଜ ନୁହେଁ !
ମନ୍ଦୋ ।- ଏ ସବୁ ଦେବକୂଟ ପରି ମୋତେ ଜଣା ଯାଉଚି ।-ନାଥ, ମୁଁ ସିନା କହିବି-ଆଉ ମୋର କି ବଳ !
ରାବ ।- (ଗର୍ଜନ କରି) ରାକ୍ଷସକୁଟ ଆଗରେ ଦେବକୂଟ ? ଯାର ଦର୍ପରେ ମେଦିନୀ କାହିଁକି ତ୍ରିଭୁବନ ଥରହର କମ୍ପୁଛି-ଲେଙ୍ଗୁଟି ମାରି ରାମ ଗୋଟାଏ ନର ଲୋକରୁ ଆଉ ଗୋଟିଏ ଲେଙ୍ଗୁଟିଆ ଭାଇ ଆଉ ପଲେ ମାଙ୍କଡ଼ଭାଲୁ ଆଣି ଲଙ୍କା ପୁରୀରୁ ଯଶ ଘେନିଯିବ-ପ୍ରାଣ ପାଇ ଯାଉ ଆଗେ !
ମନ୍ଦୋ ।- (ଯୋଡ଼ହସ୍ତେ) ଯା କାଳେ ଶୁଣା ନ ଥିଲା-ଯେ ସେତୁ ବାନ୍ଧ ଅବହେଳେ ସାଗର ଲଙ୍ଘି ଅଗଣିତ ସେନା ପାରିକରାଇ ପାରିଲା ସେ ରାମ ସାମାନ୍ୟ ମନୁଷ୍ୟ ବୋଲି ମୋତେ ଜଣାଯାଉନାହିଁ ।
ରାବ ।- (ଅତି କ୍ରୋଧରେ) ତୁମେ ପୁଣି ଶତ୍ରୁର ପ୍ରଶଂସା ମୋ ଆଗରେ କରୁଛ । ସ୍ତ୍ରୀଲୋକ ଗୁଡ଼ାକ କେବଳ ବିଳାସ ସମୟର ଉପଯୋଗୀ-ଅନ୍ୟବେଳେ ତାଙ୍କ ଛାଇ ମାଡ଼ିବା ଲେଖିନାହିଁ । ତୁମ୍ଭର ଅପରାଧ ମୁଁ ସ୍ତ୍ରୀ ବୋଲି କ୍ଷମା କଲି । ମୁଁ ଯେବେ ରାମ ଲକ୍ଷ୍ମଣ ଦୁଇଭାଇଙ୍କି ତାଙ୍କ ସେନା ସହିତ ଚୋବାଇ ଯାଇନାହିଁ ତେବେ ମୋ ନାମ ଧରିବ ନାହିଁ । ରାମ ହୁକୁମ ଦେବାମାତ୍ରେ ଲକ୍ଷ୍ମଣା ମୋର ଭଉଣିର ନାକ କାଟିଛି- ଏହା କି ମୋର ମନରୁ ଯିବ?-ମୁଁ ରାମର ଭାର୍ଯ୍ୟାକୁ ବଶୀଭୂତ ନ କରିବାଯାଏ ସେ ଦାଗ ମୋ ମନରୁ ଲିଭିବ ନାହିଁ କି ତାଙ୍କୁ ନ ମାରିବାଯାଏ ଲକ୍ଷ ଲକ୍ଷ ରାକ୍ଷସ ଓ ଖର, ଦୁକ୍ଷଣ, କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ଅକ୍ଷୟକୁମାର ଆଦି ବୀରଙ୍କ ମୃତ୍ୟୁର ପ୍ରତିଶୋଧ ହେବ ନାହିଁ ଜୀବନ ଥିବାଯାଏ ରାବଣ ଶତ୍ରୁ ନିକଟରେ ପରାଭବ ସ୍ୱୀକାର କରିବ ନାହିଁ ଆଉ ସୀତା-ଉପଭୋଗ ନ କରିବାଯାଏ ଲାଳସା ଯିବନାହିଁ । ବର୍ଷେ ମିଆଦର ଆଉଦିନ କେତୁଟା ବାକୀ ଅଛି, ମୁଁ ରାମଲକ୍ଷ୍ମଣକୁ ମାରି ଆସିଲେ ସେ ମୋର କୋଳରେ ଆଶ୍ରୟ ନ ଘେନି ଯିବ କୁଆଡ଼େ ? ମୁଁ ରାକ୍ଷସ-ମୋର ନାମ ଦଶାନନ ରାବଣ । ରାମ ମୋର ଶତ୍ରୁ ମୁଁ ରାମକୁ ମାରି ତାର ଭାର୍ଯ୍ୟାର ମହତ୍ତ୍ୱ ନ ସାରିଲେ ମୋର ରାକ୍ଷସକୁଳରେ ଜନ୍ମ ବୃଥା । ତୁମ୍ଭେ ବୃଥା ଶୋକ, ବୃଥା ଭୟ ନ କର । ମୁଁ ଚାଲିଲି-ଏହି ବୀରଦର୍ପରେ ଫେରିଆସ ତୁମ୍ଭରି ଆଗରେ ସୀତାକୁ ଆୟତ୍ତ କରିବି । (ଦର୍ପଭରେ ପ୍ରସ୍ଥାନ ।)
ମନ୍ଦୋ ।- (ଦୀର୍ଘନିଶ୍ୱାସ ପକାଇ ବସ୍ତ୍ରାଞ୍ଚଳେ ଲୋତକ ପୋଛି) ମୋର କପାଳ ପୋଡ଼ା । ମୋର କପାଳ ପଡ଼ିଚି, ନୋହିଲେ ରାକ୍ଷସରାଜ ଲଙ୍କେଶ୍ୱରଙ୍କ ହାତ ଧରି ମୋର ଏତେ ଅବସ୍ଥା କାହିଁକି ହୁଅନ୍ତା ! ପରିଚରୀମାନେ ! ମୋର ସ୍ୱାମୀ ଯେତେବେଳେ ନ ମାନି ଯୁଦ୍ଧକୁ ଯାଉଚନ୍ତି-ଭଗବାନ କପାଳରେ ଯାହା ଲେଖିଥାଉନ୍ତୁ ତାଙ୍କର ମଙ୍ଗଳ କାମନାରେ ମୁଁ ପ୍ରାୟୋପବେଶନ କରି ଭଗବାନଙ୍କର ଧ୍ୟାନ କରିବି । ତାଙ୍କର ହଜାର ପାପଥିଲେ ସେ ମୋର ସ୍ୱାମୀ-ମୋର ଗୁରୁ-ମୋର ଇଷ୍ଟଦେବ-ମୋର ଉପାସ୍ୟ ।
ପରିଚରୀମାନେ ।- ଆମେମାନେ ଏହିକ୍ଷଣି ଫୁଲ ତୁଳସୀ ଇତ୍ୟାଦି ସବୁ ଆଣି ଯୋଗାଇ ଦେଉଚୁଁ-ଆପଣ ସ୍ଥିର ହୋଇ ଭଗବାନଙ୍କର ଧ୍ୟାନ କରନ୍ତୁ । ଆପଣ ପୁଣ୍ୟଶୀଳା ଆପଣଙ୍କ ଧର୍ମରୁ ଲଙ୍କାପୁରୀ ଏତେଦିନ ଅଛି-ନୋହିଲେ କେଉଁକାଳରୁ କାଳ ଗର୍ଭରେ ବିଲୀନ ହୋଇଥାନ୍ତା । ଚାଲନ୍ତୁ ଆପଣ ସ୍ନାନ କରି ଆସିବେ ।- ଆଗଧୁଆ ପୂଜାରେ ବସିବା ଅଲକ୍ଷଣ ।
ମନ୍ଦୋ ।- ଚାଲ-ମୁଁ ମନକୁ ପଥର କରି ଦେଲିଣି ।
[ପରିଚାରିକାମାନଙ୍କ ସହିତ ମନ୍ଦୋଦରୀର ପ୍ରସ୍ଥାନ ଓ ଅଦୃଷ୍ଟକୁମାରୀଙ୍କର ପ୍ରବେଶ ଓ ନୃତ୍ୟଗୀତ ]
ରାଗିଣୀ ଇମନ । ଜାଳଯତ ।
ଧର୍ମପଥ ଛାଡ଼ି ଯେହୁ ଅଧର୍ମେ ଦିଅଇ ମତି ।
ସରଇ ବୁଡ଼ଇ ଅଗଣିତ କ୍ଲେଶେ ଅତି । ଘୋଷା ।
ଧନଜନ ମାନ ପ୍ରାଣ ଧର୍ମରେ ରକ୍ଷିତ ଜାଣ
ଅଧର୍ମ କଣାଏ କରେ ଛାଟିପିଟି ନିତିପ୍ରତି । ୧ ।
ସତୀ ନାରୀ ଘର ଶିରୀ ପାପୀଙ୍କି ସେ ଭୟଙ୍କରୀ-
ଦଶାନନଦଶା ହରି ସୀତା ଠାକୁରାଣୀ ।
ବଂଶହୀନ ପଦେ ପଦେ ସୁଖ ଦିଏ ହାଣି ।
ପାପରେ ଦୁଶ୍ଚିନ୍ତା ବଢ଼ି ଦେଉଛି ସକଳ ସାରି,
ମଲାଠୁ ଓଟରା ବାଧି ହୃଦ ହୁଏ କରତି ।
ଯବନିକାପତନ ।
[ସିଂହାସନୋପରି ରାବଣ ଉପବିଷ୍ଟ । ମହାପାର୍ଶ୍ୱ, ମହୋଦର, ରୂପାକ୍ଷ ଦଣ୍ଡାୟମାନ ।]
ରାବ ।- (ସଦର୍ପେ) ଆମ୍ଭେ ରାକ୍ଷସସେନାଙ୍କ ଉତ୍ସାହ ଦେଖି ବିଶେଷ ସନ୍ତୁଷ୍ଟ ଅଛୁଁ । ତୁମ୍ଭେମାନେ ଯଥାର୍ଥରୂପେ ଆମ୍ଭର ବୀର-ଯୁଦ୍ଧସଚିବର କାର୍ଯ୍ୟ କରୁଛ । କାଲି ଯୁଦ୍ଧକୁ ବାହାର ବୋଲି ଆଜ୍ଞା ଦେଲା ମାତ୍ରକେ ଯେତେବେଳେ ରାକ୍ଷସସୈନିକମାନେ ସିଂହନାଦ କରି ଯୁଦ୍ଧକୁ ବାହାରିପଡ଼ିଲେ ତେତେବେଳେ କୁମ୍ଭକର୍ଣ୍ଣ ଇନ୍ଦ୍ରଜିତଆଦିଙ୍କ ମୃତ୍ୟୁରେ ସେମାନେ ହତେତ୍ସାହ ହୋଇଛନ୍ତି ବୋଲି କିଏ କହିବ ?
ମହା ।- (ସଦମ୍ଭେ) ହତୋତ୍ସହ ଛାତିରେ ହାତ ମାରି) ଏମନ୍ତ ରାକ୍ଷସ ତ୍ରିଭୁବନ ବିଜୟୀ ଲଙ୍କେଶ୍ୱରଙ୍କର କିଏ ଅଛି ଯେ ଜୀବନ ଯିବାଯାଏ ଯୁଦ୍ଧରେ ନିରୁତ୍ସାହ ହେବ ?
ମହୋ ।- (ତଦ୍ବତ୍) ଯେତେବେଳେ ତ୍ରିଭୁବନର ସମସ୍ତେ ଲଙ୍କେଶ୍ୱର ରାକ୍ଷସରାଜଙ୍କ ପ୍ରଭାବ ସ୍ୱୀକାର କରିଛନ୍ତି ତେତେବେଳେ ମନୁଷ୍ୟ ହୋଇ ରାମ ଯେବେ ଜୀବନ ଘେନି ଲଙ୍କାପୁରୀରୁ ଫେରିଗଲା ତେବେ ଏ ଜୀବନ ରଖି କି ଲାଭ ? ଛାମୁଙ୍କ କଥା ତେଣିକି ଥାଉ ମୋର ପରାକ୍ରମ ତ ସେ ଆଗେ ଦେଖୁ ।
ବିରୂ ।- (ମୁଠା ଦେଖାଇ ଦମ୍ବଭରେ) ଏହି ମୁଠାରେ ଯେବେ ମୁଁ ରାମର ମୁଣ୍ଡ ଚୂନା କରିଦେଇନାହିଁ ତେବେ ମୋର ନାମ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତ୍ରିପୁରବିଜୟୀ ଲଙ୍କେଶ୍ୱରଙ୍କ ସଚିବପଣରୁ କାଟି ଦିଅନ୍ତୁ । ଏ ଜୀବନ ଥାଉଁଥାଉଁ ମୁଁ ଳଙ୍କାପୁରୀରେ ରାମନାମ ହେବାକୁ ଦେବି ନାହିଁ ।
ରାବ ।- (ଆନନ୍ଦରେ କୁଦିଉଠି) ତୁମ୍ଭେମାନେ ଆମ୍ଭର ଯଥାର୍ଥ ସଚିବ । (ଦନ୍ତ କିଡ଼ିମିଡ଼ିକରି) ରାମ, ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ, ଅଙ୍ଗଦ, ଜାମ୍ବୂବାନ ଆମ୍ଭର ଖାଦ୍ୟ ପଦାର୍ଥ, ପାଇଲେ ରଡ଼ମଡ଼ କରି ତାଙ୍କର ହାଡ଼ସହିତେ ଚୋବାଇ ଯିବି-ମାଙ୍କଡ଼ ମନୁଷ୍ୟ ଭାଲୁ ଯେବେ ରାକ୍ଷସ ମୁହଁରୁ ବର୍ତ୍ତିଯିବେ ତେବେ ଏ ଜୀବନକୁ ଧିକ । (ଅତି କ୍ରୋଧେ) ନରାଧମ ରାମ ! ମୋର ସୁନ୍ଦରୀ ବୟସା ଭଗିନୀ ସୂର୍ପଣଖାକୁ ତୁ ନାକ କାନ କଟାଇ ବିରୂପା କରିଛୁ ! ତୋରିଯୋଗେ ମୋର ପ୍ରିୟପୁତ୍ର ଅକ୍ଷୟକୁମାର, ଇନ୍ଦ୍ରଜିତ, ପ୍ରାଣର ଭାଇ କୁମ୍ଭକର୍ଣ୍ଣଆଦି କେତେ କେତେ ରାକ୍ଷସବୀର ପ୍ରାଣ ହରାଇଲେ । ସେମାନେ ବଡ଼ ବଡ଼ ମାୟାବୀ, ଅଦ୍ଭୁତକର୍ମା ବୀର ବୋଲି ଆମ୍ଭେ ଜାଣୁଥିଲୁଁ ଆଉ ସେହିମାନଙ୍କୁ ତୁ ଆଉ ତୋର ଛାର ସେନାବଳ ନିଅଣ୍ଟ ବୋଲି ଜାଣି ଆମ୍ଭେ ଆଗେ ତାଙ୍କୁ ଯୁଦ୍ଧ କରିବାକୁ ପଠାଇଥିଲୁଁ । ସେମାନେ ହାଣ ଖାଇଲେ ବୋଲି ତୋର ଗର୍ବ ବଢ଼ିଛି ! ଦୈବଦୁର୍ବିପାକରେ ସେମାନଙ୍କର ଜୀବନ ଘେନି ତୁ ଆଉ ତୋର ଲେଙ୍ଗୁଟିଆ ଭାଇ ଲକ୍ଷ୍ମଣ, ଆଉ ମାଙ୍କଡ଼ ସୁଗ୍ରୀବ, ହନୁମାନ, ଅଙ୍ଗଦ ପୁଣି ସେ ଭାଲୁଟାର ଦର୍ପ ବଢ଼ିଛି । (ମୁଥ ଦେଖାଇ) ଆମ୍ଭେ ଆଜି ଯୁଦ୍ଧକୁ ଯାଇ ଗୋଟାଏ ଗୋଟାଏ ମୁଥରେ ସମସ୍ତଙ୍କର ଜୀବନ ଘେନି ଉଦର ଶାନ୍ତ କରିବୁଁ !-ସୁପାର୍ଶ୍ୱ ମନ୍ତ୍ରୀ ଏତେବେଳଯାଏ ନଇଲେ କାହିଁକି ? ସମସ୍ତ ସମ୍ବାଦ ଠୁଳ ନ କରି ସେ ଫେରିବାର ପାତ୍ର ନୁହନ୍ତି । -ଉପଯୁକ୍ତ ମନ୍ତ୍ରୀ ।
[ସୁପାର୍ଶ୍ୱର ପ୍ରବେଶ ।]
ସୁପା ।- (କରଯୋଡ଼ି) ଭୋ ଦେବ ! ଦେବ, ଦାନବ, ଯକ୍ଷରକ୍ଷ, କିନ୍ନର, ଗନ୍ଧର୍ବ ତ୍ରିଭୁବନବାସୀ ସମସ୍ତଙ୍କର ବିଜୟୀ ମହାରାଜ ! ଶୁଣିବାକୁ ସାବଧାନ ହେଉ ! କାଲି ସୈନିକମାନଙ୍କୁ ଯୁଦ୍ଧକୁ ସଜ ହେବା କାରଣ ଆଦେଶ ଦେଲାମାତ୍ରକେ ସେମାନେ ଯୁଦ୍ଧଭୂମିକି ଧାଇଁଯାଇ ବ୍ୟୁଦ ରଚନା କରୁ କରୁ ମାଙ୍କଡ଼ଗୁଡ଼ାକୁ ଦେଖିବାରୁ ଖାଇବା ଲୋଭରେ ପରିଘ, ପଟ୍ଟିଶ, ପରଶ, ବାଣ ଆଉ ଖଡ଼୍ଗ ସବୁ ମାଇଲେ । ମାଙ୍କଡ଼ଗୁଡ଼ାକ ବି ଗଛପଥର ଉଠାଇ ଫୋପାଡ଼ିଲେ ଘୋରଯୁଦ୍ଧ ଲାଗିଲା । ଉଭୟପକ୍ଷ ବିଚିତ୍ର ବାଣ, ପ୍ରାସ, ପରଶୁଆଉ ଖଡ଼ୁ ଆଦିରେ ଆହତ ହେବାରୁ ରଣଭୁମିର ଧୂଳି ରକ୍ତାକ୍ତ ହୋଇଯାଇ ନଦୀପରି ରକ୍ତର ସୁଅ ଚାଲିଲା । ବଡ଼ ବଡ଼ ମାଙ୍କଡ଼ଗୁଡ଼ାକ ରକ୍ତରେ ଗାଧୋଇପଡ଼ିବି ଡେଇଁ ଡେଇଁ ରାକ୍ଷସମାନଙ୍କର ଧୂଜ, ଚର୍ମ, ରଥ, ଅଶ୍ୱ ଆଉ ବହୁବିଧ ଅସ୍ତ୍ରସବୁ ଭାଙ୍ଗି ନଖ ଆଉ ଦାନ୍ତରେ ରାକ୍ଷସମାନଙ୍କର ନାକ, କାନ, ଆଖି, କେଶ, କପାଳ ସବୁ ଛିଣ୍ଡାଇ ପକାଇଲେ ।
ବିରୂ ।- ତାଙ୍କୁ ଭଣ୍ଡାରୀ ଖଟନ୍ତି ନାହିଁ ।
ସୁପା ।- ପକ୍ଷିକୁଳ ଫଳନ୍ତା ଗଛ ଆଡ଼କୁ ଧାଇଁଲା ପରି ଗୋଟାଏ ଗୋଟାଏ ରାକ୍ଷସ ଆଡ଼କୁ ଶଏ ଶଏ ମାଙ୍କଡ଼ ଦଉଡ଼ିଲେ । ପର୍ବତପ୍ରମାଣ ଦେହଧାରୀ ରାକ୍ଷସମାନେ ବି ତାହା ଦେଖି ପ୍ରାସ, ଖଡ଼୍ଗ, ପରଶୁ ଆଉ ବଡ଼ ବଡ଼ ଗଦାମାନଙ୍କରେ ଭୀମମୂର୍ତ୍ତି ବାନରମାନଙ୍କୁ ବଧ କରିବାରେ ଲାଗିଲେ । ତେତେବେଳେ ମାଙ୍କଡ଼ଗୁଡ଼ାକ ହୁରୁଡ଼ି ପଳାଇଯାଇ ରାମର ଶରଣ ପଶିଲେ। ସେଇଠୁ ରାମ ଧନୁଶର ଧରି ରାକ୍ଷସସେନା ଭିତରକୁ ପଶି ଆସି ବାଣ ପରେ ବାଣ ପେଷି ଚାରିଆଡ଼େ ଅନ୍ଧାର କରିଦେଲେ । ମେଘ ଉଢ଼ାଳରେ ଥାଇ ସୂର୍ଯ୍ୟ ନ ଦିଶିଲା ପରି ବାଣଜାଲ ଉଢ଼ାଳରେ ରାମକୁ ରାକ୍ଷସମାନେ ଦେଖିପାରିଲେ ନାହିଁ । ପବନ ଛୁଇଁଲେ ଜଣାଗଲା ପରି ରାମ ସେନା ଚଳାଉଛି, ମହାରଥିମାନଙ୍କୁ ଦଳି ପକାଉଛି ଏହା ରାକ୍ଷସମାନେ କେବଳ ଅନୁମାନରେ ଜାଣିଲେ । ହାତୀ, ଘୋଡ଼ା, ମହାରଥ ନଷ୍ଟ ହେବାର ଦେଖି ରାକ୍ଷସମାନେ ଘୋର ଚିତ୍କାର କଲେ ମାତ୍ର କିଏ ମାରୁଛି ଦେଖିପାରିଲେ ନାହିଁ । ରାମ ଗନ୍ଧର୍ବ ଅସ୍ତ୍ର ମାରି ରାକ୍ଷସମାନଙ୍କୁ ମୋହିତ କରିବାରୁ ରାକ୍ଷସମାନେ ରାମପୂରରେ ଦେଖାଯିବାରୁ ଏକ ରାକ୍ଷସ ଅପରକୁ ବିନାଶ କଲେ । ସହସ୍ର ସହସ୍ର ରାମରୂପ ରାକ୍ଷସ ଏହିରୂପେ ନଷ୍ଟ ହେଲେ। କେତେବେଳେ ଅଲାତଚକ୍ର ପରି ରାମର ଧନୁ ଆଗରେ ସେମାନେ ଲକ୍ଷ୍ୟ କଲେ ସୁଦ୍ଧା ରାମକୁ ଦେଖିପାରିଲେ ନାହିଁ- ଚତ୍ରିବନୋଟି ପରି ରାମ ଘୁରି ଘୁରି ସମସ୍ତ ପୋଡ଼ି ମାରିଲା ପ୍ରାୟ ଜଣାଗଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାମ ଏକାକେ ରାକ୍ଷସମାନଙ୍କର ପବନ ପରି ବେଗଶାଳୀ ଦଶହଜାର ରଥୀ, ଆରୋହୀ ସହିତ ଆଠହଜାର ହାତୀ, ଚଉଦହଜାର ଘୋଡ଼ସବାର ଆଉ ଦୁଇହଜାର ପାଇକ ସେନାଙ୍କୁ ମାରିପକାଇଲେ । ତେଣିକି ଘୋଡ଼ା, ରଥ, ପତାକା ଇତ୍ୟାଦି ହରାଇ ବାକୀ ରାକ୍ଷସମାନେ ନିରୁତ୍ସାହରେ ଲଙ୍କାପୁର ମଧ୍ୟକୁ ପଳାଇ ଆସିଲେ । ମଲାହାତୀ ଘୋଡ଼ା ପାଇକରେ ଯୁଦ୍ଧଭୂମି ଶ୍ମଶାନ ପରି ଦିଶୁଥିବା ଦେଖି ଆସିଲି । ରାମ-ଛାଉଣିରେ ସୁଗ୍ରୀବ, ବିଭୀଷଣ, ଜାମ୍ବବାନ, ହନୁମାନ, ମୈନ୍ଦ, ଦ୍ୱିବିଦ ଜୟୋଲ୍ଲାସରେ ହୁଙ୍କାର ଛାଡ଼ିଛନ୍ତି, ଆଉ ରମାଲକ୍ଷ୍ମଣ ଦୁହିଁଙ୍କର ଆନନ୍ଦର ସୀମା ନାହିଁ ।
ରାବ ।- (ଦାନ୍ତ କିଡ଼ିମିଡ଼ି କରି ରାଗରେ) ମୁଁ ନ ଥିଲାକୁ ଲେଙ୍ଗୁଟିଆ ରାମଟା ଏଡ଼େ ସାହସିକ କାଣ୍ଡଟା କଲା ! ତୁମ୍ଭେ ଫିସାଦ କରି ମୋତେ ଚତୁର୍ଦ୍ଦଶୀରେ ଯୁଦ୍ଧକୁ ଯିବାକୁ ନ ଦେଇ ଦିନକରେ ହଟହଟା କରିଦେଲ । (ଦେହ କମ୍ପିତ କରି) ଆଜି ଦେଖିବ କିଏ ମୋ ଦାଉ ସମ୍ଭାଳିବ ? ଯେ ମୋର ଖାଇବା ପଦାର୍ଥ ସେ ମୋର ସେନାଙ୍କୁ ଲଣ୍ଡଭଣ୍ଡ କରିବ !
ସୁପା ।- (କରଯୋଡ଼େ) ଶାନ୍ତ ହେଉନ୍ତୁ ପ୍ରଭୋ ! ଆମ୍ଭେମାନେ ଜଣକୁ ଗଣେ ବୀର ରାକ୍ଷସମାନଙ୍କରେ ଯୋଦ୍ଧା ବୋଲି ପରିଚିତ । ଆଗେ ଆମ୍ଭେମାନେ ଯାଉଁ । ଆମ୍ଭମାନଙ୍କୁ ରମାଲକ୍ଷ୍ମଣ ବଳିଗଲେ - ଆପଣ ସମରାଙ୍ଗଣରେ ଅବତୀର୍ଣ୍ଣ ହେବେ ।
ମହୋ ।- (କରଯୋଡ଼େ) ମୋର ସେହି ମତ । ଯେ ଅଜାତିଆ ଲେଙ୍ଗୁଟିଆଙ୍କୁ ଚଉଦବର୍ଷ ଧୋବାଭଣ୍ଡାରୀ ଖଟିନାହାନ୍ତି ସେ ରାକ୍ଷସଜାତିର ଅସଂଖ୍ୟ ବୀରଙ୍କୁ ଜିଣିଯିବେ ?
ମହା ।- (ତଦ୍ବତ୍) ମୋର ସେହି ପ୍ରାର୍ଥନା । କିଛି ଯୋଗ୍ୟ ନୋହିବାରୁ ଯାକୁ ମାବାପ ବଣକୁ ଦୂର କରିଦେଲେ ସେ ପୁଣି ଆମଠି ବାଲିଙ୍ଗି ଦେଖାଉଛନ୍ତି !
ବିରୂ ।- (ତଦ୍ବତ୍) ମୋର ସେହି ମାଗୁଣି । ଯେ ଭାଇକି ନ ପାରି ରାଜ୍ୟ ଛାଡ଼ିଦେଇ ବଣକୁ ଆସି ଭିକ ମାଗି ବୁଲୁଛନ୍ତି ଆଜି ତାଙ୍କର ବାଲୁପଣ ଭାଙ୍ଗି ଦେବୁଁ !
ରାବ ।- (ସଦମ୍ଭେ ମୁଛ ମୋଡ଼ି) ସାଧୁ, ସାଧୁ ! ଏହି ଏକା ବୀରର ବାକ୍ୟ । ଆମ୍ଭେ ଜାଣୁଁ ତୁମ୍ଭେମାନେ ଜଣକୁ ଜଣେ ପର୍ବତ ପରି ଅଟଳ । ଯାଅ- ସେ ରାମଲକ୍ଷଣିଆ ଦୁଇଟା ଭିକାରିଟୋକାଙ୍କୁ ମାରି ତାଙ୍କର ରକ୍ତ ପିଇ ମୁଣ୍ଡ ଦୁଇଟା ଆମ୍ଭ ନିକଟକୁ ଘେନି ଆସ । (ଦାନ୍ତ କିଡ଼ିକିଡ଼ କରି) ଆମ୍ଭେ ସେ ମୁଣ୍ଡ ଦୁଇଟା ଚୋବାଇ ରସନାର ଆଶା ପରିତୃପ୍ତ କରିବୁଁ । ଆଉ ସେ ମାଙ୍କଡ଼ ଭାଲୁରୁ ଯେତେ ପାଇବ ଚୋବାଇବ । ତୁମ୍ଭେମାନେ ଆଗଭର ହୁଅ - ଆମ୍ଭେ ପଛେ ପଛେ ଯାଉଛୁଁ ।
ମହୋ, ମହା ଓ ବିରୂ ।- (ଉଚ୍ଚୈଃସ୍ୱରେ) ଜୟ ଲଙ୍କେଶ୍ୱରଙ୍କର ଜୟ ! (ରାବଣକୁ ଅଭିବାଦନାପୁର୍ବକ ପ୍ରସ୍ଥାନ ।)
ସୁପା ।- ଆଜି ରମାଲକ୍ଷ୍ମଣଙ୍କର ଆଉ ପରିତ୍ରାଣ ନାହି । ଏକାଠି ତିନିବୀର ବାହାରିଲେଣି- ମହାରାଜ ମଧ୍ୟ ବିଜେ ହେଊଛନ୍ତି ।
ରାବ ।- (ସଦର୍ପେ) ମନ୍ତ୍ରିବର ସୂପାର୍ଶ୍ୱ ! ଆଜି ଆମ୍ଭେ ରାମଲକ୍ଷଣଙ୍କୁ ନ ମାରି ଯୁଦ୍ଧଭୂମିରୁ ନ ଫେରୁଁ । ଲଙ୍କାପୁରୀ ତୁମ୍ଭେ ସାବଧାନ ହୋଇ ରକ୍ଷାକରିବ ! (ବୀରଦର୍ପରେ ପ୍ରସ୍ଥାନ ।)
ସୁପା ।- ରାଜ୍ୟର ଚତୁର୍ଦ୍ଦିକରେ ଯେପରି ଦୁର୍ଲକ୍ଷଣମାନ ଦେଖାଯାଉଛି ତହିଁରେ ଲଙ୍କେଶ୍ୱରଙ୍କର ପରିତ୍ରାଣ ପାଇଲା ପରି ଜଣାଯାଉ ନାହିଁ । ସୂର୍ଯ୍ୟଙ୍କ ତେଜ ମଇଳା ଦିଶୁଛି, ଚାରିଦିଗ ଅନ୍ଧାର ଜଣାଯାଉଛି, ବିଲୁଆ ଓ ପକ୍ଷିମାନେ ଅମଙ୍ଗଳ ଧ୍ୱନି କରୁଛନ୍ତି; ଭୂଇଁ କାହିଁକି କମ୍ପୁଛି ? ଘୋଡ଼ାଙ୍କ ଗୋଡ଼ ଖସିଯାଉଛି, କାଉଶାାଗୁଣା ଚାରିଆଡ଼େ ଅମଙ୍ଗଳ ଶବ୍ଦ କରି ଉଡ଼ୁଛନ୍ତି । ମୋତେ ଲଙ୍କାପୁରୀ ଜଗିବାର ଭାର ଦେଇଗଲେ ମାତ୍ର ତାଙ୍କର କିଛି ଭଲ ମନ୍ଦ ହେଲେ ମୁଁ କେଉଁଠି, ଲଙ୍କାପୁରୀ କେଉଁଠି, ଆଉ ରାକ୍ଷସମାନେ ବି କେଉଁଠି !- ଯାଏଁ, ସେ ବଞ୍ଚିଥିବା ଯାଏ କାମ ବଜାଇବି । (ଗମନୋଦତ୍ୟ ।)
ପଟପରିବର୍ତ୍ତନ ।
[ ରାମ, ଲକ୍ଷ୍ମଣ, ସୁଗ୍ରୀବ, ଅଙ୍ଗଦ, ଜାମ୍ବୁବାନ, ନଳ. ନୀଳ. ସୁଷେଣ, ମୈନ୍ଦ, ଦ୍ୱିବିଦ ଓ ବିଭୀଷଣ ଉପସ୍ଥିତ । ]
ରାମ ।- ସେନାପତେ ନୀଳ ! ତୁମ୍ଭର ବ୍ୟୁହରଚନା ମୁଁ ଶତମୁଖରେ ସୁଦ୍ଧା ପ୍ରଂଶସା କରି ପାରିବି ନାହିଁ । ଅଦ୍ଭୁତ କୌଶଳରେ ସେନା ସଜାଇ ରଖୁଥିଲେ ବୋଲି କାଲି ରକ୍ଷସସେନା ଯେତେ ଉଦ୍ୟମ କଲେ ସୁଦ୍ଧା କିଛି କରିପାରିଲେ ନାହିଁ ।
ନୀଳ ।- ମୁଁ ସିନା ସେନା ସଜାଇ ରଖିଥିଲି ମାତ୍ର ଆପଣ ଆଗଭର ହୋଇ ନ ଥିଲେ କିଏ ଏତେ ସେନାକ୍ଷୟ କରିପାରିଥାନ୍ତା ?
ବିଭି ।- କୌତୁକ ଦେଖାଗଲା ଗନ୍ଧର୍ବବାଣର - ରାକ୍ଷସମାନେ ଯେତେବେଳେ ଆପଣା ଭିତରେ ଏକ ଅପରକୁ ରାମଚନ୍ଦ୍ର ରୂପରେ ଦେଖି ହଣାକଟାରେ ଲାଗିଗଲେ ମୁଁ ହସ ସମ୍ଭାଳି ରହିପାରିଲି ନାହିଁ ।
ସୁଗ୍ରୀ ।- ରାକ୍ଷସଗୁଡ଼ାଙ୍କ ଯୁଦ୍ଧଶିକ୍ଷା ଊଣା ନୁହେ- ନୋହିଲେ କି ରାବଣ ଦଶଶୀର୍ଷ ବୋଲି ଖ୍ୟାତି ଲଭିଥାନ୍ତା ? ମାତ୍ର ହେଲେ କି ହେବ ଆପଣଙ୍କର ସମରଶିକ୍ଷା ଆଗରେ ସେ ମଶା ପରି ।
ଅଙ୍ଗ ।- ରାକ୍ଷସଙ୍କ ହାତରେ ଆମ୍ଭମାନଙ୍କ ବ୍ୟୁହ ଦୋହଲିଯିବା ଜଣାଗଲା ମାତ୍ରକେ ଆପଣ ଯେତେବେଳେ ଧାଇଁଆସି ରାକ୍ଷସମାନଙ୍କ ଭିତରକୁ ପଶିଗଲେ ମୁଁ ଚମକି ପଡ଼ି କି ଗୋଟାଏ କାଣ୍ଡ ହେବ ବୋଲି ଅନାଉ ଅନାଉ ରାକ୍ଷସମାନେ ଆପଣଙ୍କୁ ଛାଡ଼ି ଆପଣା ଭିତରେ ହଣାକଟା ଲଗାଇଲେ ।
ନୀଳ !- ସେ ଯେଉଁ ରକ୍ତନଦୀ ବୋହିଲା ମୁଁ ମନେ କଲି ଆପଣ ଫେରିଲାବେଳକୁ ମୋତେ ପୁଣି ପୋଲ ବାନ୍ଧିବାକୁ ହେବ ପରା !
ମୈନ୍ଦ ।- ମୁଁ ମନେ କଲି ଦ୍ୱିବିଦକୁ ଘେନି ଯନ୍ତ୍ର ଲଗାଇ ପର୍ବତ ଶିଖରୁ ପଥର ଓଟାରି ଆଣିବି ।
ଦ୍ୱିବ ।- ମୁଁ ଅଣ୍ଟାଭିଡ଼ି ନ ଥିଲି କି, ମାତ୍ର ରାମଚନ୍ଦ୍ରଙ୍କ ଗତି ବିଚିତ୍ର-ସେ ଗଲେ କିପରି ଆସିଲେ କିପରି ଜାଣି ହେଲା ନାହିଁ ।- ସନ୍ଧ୍ୟାସମୟକୁ ଗଦାଗଦା ରାକ୍ଷସଙ୍କ ମୁଣ୍ଡ ଦେଖି ସମସ୍ତେ କାବା ।
ବିଭୀ ।- (କାନ ଡେରି) ଏ ଗୋଟାଏ କି ସିଂହନାଦ ଶୁଭିଲା ? - (ଉଚ୍ଚୈଃସ୍ୱରେ) ସମସ୍ତେ ପ୍ରସ୍ତୁତ ତ ? ଖିଆପିଆ ତ କାହାରି ବାକୀ ନାହିଁ ?
ସୁଷେ ।- ଆଜି ନିଜେ ରାବଣ ବାହାରିବ ବୋଲି ତୁମ୍ଭେ କହିଥିଲ- ଘୋରଯୁଦ୍ଧ ହେବା ଜାଣି ମୁଁ ଏମନ୍ତ ଖାଦ୍ୟ ସଙ୍ଗେ ମହୌଷଧି ଦେଇଛି ଯେ ସାତଦିନ ସାତରାତି କାହାରିକି ଭୋକ କି ଶୋଷ କରିବ ନାହିଁକି କେହି ଯୁଦ୍ଧରେ ଥକି ଯିବେ ନାହିଁ ।
ଲକ୍ଷ୍ମ ।- ଧନ୍ୟ କରିରାଜ ସୁଷେଣ ! ତୁମ୍ଭେ ସ୍ୱୟଂ ଧନ୍ୱନ୍ତରିରୂପେ ଏଠାରେ ଆବିର୍ଭାବ ହୋଇଛ ।
ରାମ ।- ସେନାଦଳରେ ଏଭଳି ଦିଗ୍ବିଜୟୀ ପଣ୍ଡିତମାନଙ୍କର ସମାଗମ ହୋଇ ନ ଥିଲେ ଲଙ୍କାପୁରୀକୁ ଆସି ଅସୁରମାନଙ୍କ ସଙ୍ଗେ ଲଢ଼ିବା ଅସମ୍ଭବ ବ୍ୟାପାର ହୋଇଥାନ୍ତା । ସମସ୍ତଙ୍କୁ ବିଶେଷତଃ ମିତ୍ରବର ସୁଗ୍ରୀବଙ୍କୁ ଅଶେଷ ଧନ୍ୟବାଦ ! ତଦୁପରି ସଖା ବିଭୀଷଣଙ୍କୁ ସତ୍ପରାମର୍ଶ ହେତୁ ଆହୁରି ଧନ୍ୟବାଦ !- (କାନଡେରି) ଏତ ରାକ୍ଷସମାନଙ୍କର ଢୋଲନାଗରା ବାଦ୍ୟ ବାଜିବାର ଶବ୍ଦ- ସକାଳୁ ଉଦ୍ୟମ ଲଗାଇଲେଣି ।
[ ହନୁମାନର ଦ୍ରୁତବେଗେ ପ୍ରବେଶ ।
ହନୁ ।- (ଜାନୁ ପାତି ଅଭିବାଦନ ପୂର୍ବକ) ମହାରାଜ ! ମୁଁ ଆକାଶ ବିମାନରେ ଯାଇଁ ଦେଖି ବୁଝି ଆସିଲି ଆଗ ବିରୁପାକ୍ଷ, ପରେ ମହୋଦର, ତହିଁ ଉତ୍ତାରୁ ମହାପାର୍ଶ୍ୱ, ଶେଷରେ ରାବଣ ଯୁଦ୍ଧ କରିବ ।- ତାଙ୍କ ସେନାତକ ସଜ ହୋଇ ସିଂହନାଦ କରି ବାହାରିଲେଣି । ଆଉ ବିଳମ୍ବ କରିବାର ନୁହେ ।
ନୀଳ ।- ସୈନିକ ! ରାମଚନ୍ଦ୍ରଙ୍କର ଜୟଧ୍ୱନି କର ।
ନେପଥ୍ୟେ ।- (ସିଂହନାଦ) ମହାରାଜ ରାମଚନ୍ଦ୍ରଙ୍କର ଜୟ ।
ସୁଗ୍ରୀ ।- ସମସ୍ତେ ପ୍ରସ୍ତୁତ । ଆଜିର ଆୟୋଜନମତେ ଆଗେ ମୁଁ ବିରୂପାକ୍ଷ ଓ ମହୋଦର ଉଭୟଙ୍କ ସଙ୍ଗେ ଲଢ଼ିବି । ଯୁବରାଜ ଅଙ୍ଗଦ ପାଖରେ ଥିବେ । ଆବଶ୍ୟକ ମତେ ମହାପାର୍ଶ୍ୱ ତାଙ୍କ ଭାଗରେ । ପଛକୁ ମିନ୍ତ୍ରବରଙ୍କ ସକାଶେ ରାବଣ, ତେଣୁ ମୋତେ ଆଉ ଅଙ୍ଗଦକୁ ଛାଡ଼ି ସମସ୍ତେ ପଛପଟକୁ ଯାଅ- ହେଇଟି ରାକ୍ଷସ ସେନା ମାଡ଼ିଆସିଲା ପରି । ମିତ ଆଉ ଲକ୍ଷ୍ମଣଙ୍କୁ ଛାଡ଼ି ସମସ୍ତେ ରାକ୍ଷସ ସେନାଙ୍କ ସଙ୍ଗେ ଲଢ଼ । ସୁଷେଣ ପାଖରେ ଥାଆନ୍ତୁ ।
[ ସୁଗ୍ରୀବ, ସୁଷଣ, ଓ ଅଙ୍ଗଦ ଛଡ଼ା ଅନ୍ୟ ସମସ୍ତଙ୍କର ପ୍ରସ୍ଥାନ ।
ନେପଥ୍ୟେ ।- (ଘୋର ରଣବାଦ୍ୟ ଓ କୋଳାହଳ ।)
ସୁଗ୍ରୀ ।- ହେଇଟି ବିରୂପାକ୍ଷଟା ରଥରେ ଚଢ଼ି ଆଗ ଆସିଛି । (ଗୋଟାଏ ଗଛ ଉପାଡ଼ି ଧରି) ତୁମ୍ଭେମାନେ ଖାଲି ମୋ ହାତକୁ ଗଛ ଆଉ ପଥର ଦିଅ । - ସେହିଥିରେ ଏ ରାକ୍ଷସଗୁଡ଼ାଙ୍କୁ ସିଧାକରି ଦେବି । (ଗଛଟା ବୁଲାଇ ଦୂରକୁ ଫୋପାଡ଼ିବା ।)
ସୁଷେ ଓ ଅଙ୍ଗ ।- ଆଗେ ତାକୁ ସମ୍ଭାଳନ୍ତୁ । (ପଥର ଓ ଗଛ ଉପାଡ଼ି ସୁଗ୍ରୀବକୁ ବଢ଼ାଇ ଦେବା ।)
ସୁଗ୍ରୀ ।- (ଗଛ ଓ ପଥର ଫୋପାଡ଼ି) ମଲେ- ମଲେ, ମୂଷାପଲଙ୍କପରି ଏ ରାକ୍ଷସ ଗୁଡ଼ାକ ମରୁଛନ୍ତି ହୋ- ଦେଖିବାକୁ ପାହାଡ଼ ପରି, କଡ଼ାକର ବଳ ଦେହରେ ନାହିଁ ! ଅଇଲା ଏଥର ବରୂପାକ୍ଷ - ଆଉ ରଥରେ ସମ୍ଭାଳି ହୋଇ ରହିପାରିଲା ନାହିଁ- ଓହ୍ଲାଇ ହାତୀରେ ଚଢ଼ିଲା । (ଗୋଟାଏ ଗଛ ନେଇ) ଏହି ଗଛରେ ହାତୀକି ବସାଇ ଦେବି। (ପାଟିକରି) ରେ ରେ ଦୁଷ୍ଟ ବିରୂପାକ୍ଷ !
ନେପଥ୍ୟେ ।- ରେ ରେ ଅଇଣ୍ଠା ଖିଆ ମାଙ୍କଡ଼ଛୁଆ- ସମ୍ଭାଳ, ସମ୍ଭାଳ !
ସୁଗ୍ରୀ ।- (ଘୋର ରାବରେ) ରେ ରେ ରାକ୍ଷସାଧମ ବିରାଡ଼ିଛୁଆ- ସମ୍ଭାଳ ତୋ ହାତୀକି । (ବେଗେ ଧାଇଁ ଯାଇ ରଙ୍ଗମଞ୍ଚ ପାର୍ଶ୍ୱଦେଶରେ ଗଛ ଉଞ୍ଚାଇ ପିଟିବା) ମଲା ତୋ ହାତୀ - ମୁଣ୍ଡ ଫାଟିଗଲା !
ନେପଥ୍ୟେ ।- ସମ୍ଭାଳ ତୋ ପ୍ରାଣ, ମୁଁ ବିରାଡ଼ି ନୁହେଁ ବୀରଶ୍ରେଷ୍ଠ ରାକ୍ଷସ ବିରୂପାକ୍ଷ । (ଉପରୁ କୁଦିପଡ଼ି ଖଡ଼୍ଗ ଓ ଢାଲ ହସ୍ତେ ବିରୂପାକ୍ଷର ପ୍ରବେଶ ।)
ବିରୂ ।- ରଖ ତୋ ଜୀବନ - ରାମର ଅଇଣ୍ଠା ଖାଇ ବଳ ଦେଖାଉଛୁ । (ସୁଗ୍ରୀବକୁ ଖଡ଼୍ଗ ପ୍ରହାର ।)
ସୁଗ୍ରୀ ।- (ପଡ଼ିଯାଇ ଉଠି ହାତ ମୁଠା ଦେଖାଇ) ଏକା ମୁଥେ ହାଣି ତୋ ପ୍ରାଣ ନେବି । (ବିରୂପାକ୍ଷର ବକ୍ଷରେ ମୁଷ୍ଟିପ୍ରହାର ।)
ବିରୂ ।- ମରୁ ମରୁ ମାଙ୍କଡ଼ଛୁଆ ଉଠିଲା !- ସମ୍ଭାଳ ଏଥର - ତୋର କବଚ ଗଲା- (କବଚରେ ଖଡ଼୍ଗ ପ୍ରହାର), - ଏବେ କବଚ କରୁ କରୁ ମରିବୁ ।
ସୁଗ୍ରୀ ।- (ପୁନର୍ବାର ପଡ଼ିଯାଇ ଉଠି) ରେ ରେ ବିରାଡ଼ିଛୁଆ ବିରୂପାକ୍ଷ - ସମ୍ଭାଳ ଏ ବଜ୍ରଚଟକଣା (ବିରୂପାକ୍ଷର ଗାଲରେ ଘୋର ଚପେଟାଘାତର ଉଦ୍ୟୋଗ ।)
ବିରୂ ।- ମାରିଥିଲୁ ନା ଚଟକଣା ମାରବୁ, ମାଙ୍କଡ଼ଛୁଆ ! (ଚପେଟାଘାତରୁ ମୁହଁ ଖସାଇ ନେଇ ଖଡ଼୍ଗ ପକାଇଦେଇ ମୁଥ ଦେଖାଇ) ସମ୍ଭାଳ ଏ ମୁଥକୁ (ସୁଗ୍ରୀବର ବକ୍ଷରେ ମୁଷ୍ଟି ପ୍ରହାର ।)
ସୁଗ୍ରୀ ।- ରହ ରହ ବିରାଡ଼ିଛୁଆ- ରଖ ତୋ ପ୍ରାଣ (କୁଦିପଡ଼ି ହାତ କହୁଣିତଳ ହାତରେ ବିରୂପାକ୍ଷର ଲଲାଟଦେଶରେ ବଜ୍ରପ୍ରହାର।)
ବିରୂ ।-(ଦୁଇ ହାତ ମୁଣ୍ଡରେ ଦେଇ) ମରିଗଲି ଲୋ ମା- (ପତନ ଓ ଗଁ ଗଁ ଶବ୍ଦ କରଣ ।)
ସୁଗ୍ରୀ ।- (ନିକଟକୁ ଯାଇ) ରକ୍ତ ବାନ୍ତି କରି ଦେହଟାଯାକ ରକ୍ତରେ ବୋଳି ହୋଇଗଲାଣି । ଦେଖତ କବିରାଜେ ।
ସୁଷେ ।- (ନିକଟକୁ ଯାଇ ନିରୀକ୍ଷଣ କରି) ଆଉ ତାର ଜୀବନ ନାହିଁ ପରା - (ହାତ ଉଠାଇ ନାଡ଼ୀ ଦେଖି) ନିକାସ ହେଲାଣି ।- ଯୁବରାଜେ, ଆସନ୍ତୁ ଏହାକୁ ଉଠାଇ ପକାଇ ଦେବା ।
[ ଅଙ୍ଗଦ ଓ ସୁଷେଣ ବିରୂପାକ୍ଷକୁ ଧରି ଉଠାଇନେଇ ନିଷ୍କ୍ରାନ୍ତ ।
ସୁଗ୍ରୀ ।- ଏହି ମୂଷାବିରାଡ଼ିଙ୍କ ପରି ରାକ୍ଷସଗୁଡ଼ାଙ୍କୁ ନେଇ ରାବଣର ଏଡ଼େ ଆଣ୍ଟ ।
[ ଅଙ୍ଗଦ ଓ ସୁଷେଣର ପ୍ରବେଶ ।
ଆସ ଆସ ମୋ କତିକି ଆସ- ରାକ୍ଷସଗୁଡ଼ାକ ବିରୂପାକ୍ଷ ମଲାରୁ ଛିନିଛିତର ହୋଇ ପଳାଇଯାଇ - ପୁଣି ଆସୁଛନ୍ତି ଦେଖ ।
ସୁଷେ ।- (ସୁଗ୍ରୀବ ନିକଟକୁ ଆସି ଦୂରକୁ ଅନାଇ) ହଁ ସତେତ ! ପୁଣି ମରିବେ ।
ଅଙ୍ଗ ।- (ଦୁରକୁ ଅନାଇ) ସେହି ରଥଟାରେ ମହୋଦର ଆସୁଛି- ତା ପଛକୁ ମହାପାର୍ଶ୍ୱ ।
ସୁଗ୍ରୀ ।- ଦିଅ ମୋତେ ପଥର ଆଉ ଗଛ - ଆଗେ ତାର ଘୋଡ଼ାଙ୍କୁ ମାରେଁ ।
ସୁଷେ ।- (ଗୋଟାଏ ପଥର ଦେଇ) ନିଅ ପଥର ।
ସୁଗ୍ରୀ ।- (ପଥର ନେଇ ଦୂରକୁ ପକାଇ) ହେଲା ନାହିଁ - କାଟି ପକାଇଲା ଗଛଟାଏ ଦିଅ ।
ଅଙ୍ଗ ।- ହେଇ ନିଅ ଗଛ । (ଗଛ ଉପାଡ଼ି ଦେବା ।)
ସୁଗ୍ରୀ ।- (ଗଛ ବୁଲାଇ ପକାଇ) ଉଁ ହୁଁ ହେଲାନାହିଁ - ତାକୁବି କାଟିଲା । ଦିଅତ ପରିଘଟାଏ ।
ଅଙ୍ଗ ।- ଆଉ ଟିକିଏ ଯାଇଥିଲେ ଘୋଡ଼ା ଚାରିଟା ମରିଥାନ୍ତେ । (ଲୌହ ମୁଦ୍ଗର ବଢ଼ାଇ ଦେଇ) ନିଅ ପରିଘ ।
ସୁଗ୍ରୀ ।- (ପରିଘ ନେଇ ବୁଲାଇ ବୁଲାଇ ଦୂରକୁ ନିକ୍ଷେପ) ଏଥର ଘୋଡ଼ାଏ ଗଲେ- ଆଉ ଧନ ଆସିବେ କାହିଁରେ । (ପାଟିକରି) ସମ୍ଭାଳରେ ପେଟୁଆ ମହୋଦର ! ରାବଣ ଘରେ ଓଦା ଖାଇ ନୋଧି ବଢ଼ିଛି ।
[ କୁଦିପଡ଼ି ଗଦାହସ୍ତେ ମହୋଦରର ପ୍ରବେଶ ।
ମହୋ ।- ରହରେ ମାଙ୍କଡ଼ ଟୋକା ସୁଗିରି, - ସମ୍ଭାଳ ଏ ଗଦାକୁ (ଗଦାନିକ୍ଷେପ) ।
ସୁଗ୍ରୀ ।- ଦେଖିଛି ତୋ ବୀରପଣ ।- ଦେଖ (ପରିଘ ଉଠାଇ ନିକ୍ଷେପ) ଖାଇମାଲୁଟିଏ, ଦେଖ ।
[ ପରିଘ ଓ ଗଦା ଉଭୟେ ବାଜି ମଧ୍ୟଭାଗେ ଭାଙ୍ଗିପଡ଼ିବା ।]
ଆଚ୍ଛା (ଶୀଘ୍ର ଗୋଟିଏ ମୂଷଳ ନେଇ) ସମ୍ଭାଳରେ ପେଟୁ - ଏ ମୂଷଳ ତୋ ପେଟ ଫୋଡ଼ିବ ।
ମହୋ ।- ହଁ ରେ ମାଙ୍କଡ଼ଟୋକା ଦେଖିଛି ତୋ ବଳ । (ଗୋଟିଏ ଗଦା ବୁଲାଇ ନିକ୍ଷେପ ।)
[ ମୂଷଳ ଓ ଗଦା ଉଭୟେ ମଧ୍ୟଭାଗରେ ପଡ଼ିଯିବା । ]
ସୁଗ୍ରୀ ।- (ମୁଥ ଉଠାଇ ଧାଇଁ ଧାଇଁ) ଆରେ ଏଥର ଏକା ମୁଥକେ ତୋ ମୁଣ୍ଡ ଫଟାଇଦେବି ।
ମହୋ ।- (ମୁଥ ଦେଖାଇ) ମାଙ୍କଡ଼ଟୋକାର ଗର୍ବ କେଡ଼େ - ଏହି ମୁଥରେ ଦେହ ଚୁନା କରିଦେବି ।
[ ସୁଗ୍ରୀବ ଓ ମହୋଦରର ମୁଷ୍ଟିଯୁଦ୍ଧ ଓ ଲମ୍ପ ପ୍ରଦାନ ପୂର୍ବକ ତଳାଯୁଦ୍ଧ ଓ ପଡ଼ି ଉଠି ପରସ୍ପରକୁ ବାରମ୍ବାର ଫିଙ୍ଗିଦେଇ ଡ଼େଇଁପଡ଼ି ଉଭୟର ଖଡ଼ଗ୍ଧାରଣ । ]
ସୁଗ୍ରୀ ।- ଆରେ ପେଟୁ ଏହି ଖଡ଼ଗ୍ରେ ତୋର ମୁଣ୍ଡ କାଟିବି । (ଖଡ଼୍ଗ ବୁଲାଇବା ।)
ମହୋ ।- (ଖଡ଼ଗ୍ଉଞ୍ଚଇ) ଆରେରେ ମାଙ୍କଡ଼ଟୋକା ତୋ ମୁଣ୍ଡ ସମ୍ଭାଳ । (ଖଡ଼ଗ୍ଧରି ସୁଗ୍ରୀବ ଆଡ଼କୁ ଧାବିତ । ]
[ ଉଭୟର ଆସି ଯୁଦ୍ଧ ଓ ସୁଗ୍ରୀବର ଖଡ଼୍ଗାଘାତରେ ମହୋଦରର ମସ୍ତକ ଛିନ୍ନ ହୋଇ ଭୂତଳେ ପତିତ ]
ମୁଷେ ।- (ଆନନ୍ଦରେ ଲମ୍ପପ୍ରଦାନ ପୂର୍ବକ) ଜୟ ସୁଗ୍ରୀବ ରାଜାଙ୍କ ଜୟ !
ଅଙ୍ଗ ।- (ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ପାଟିକରି) ପଳାଇଲେ- ପଳାଇଲେ ରାକ୍ଷସ ଗୁଡ଼ାକ !
ସୁଗ୍ରୀ ।- ଦେଖ ବର୍ତ୍ତମାନ ସୁଦ୍ଧା ଆନନ୍ଦର ସମୟ ନୁହେ । ଦେଖ ଦେଖ, ମହାପାର୍ଶ୍ୱ ଅଙ୍ଗଦ ଆଡ଼କୁ ଧାଇଁଚି ।
ଅଙ୍ଗ ।- (ବୁଲିପଡ଼ି) କିଏ ? ( ଘୋର ସିଂହନାଦ କରି) ରହ ରହ ରେ ରାବଣର ପାଖପଶା । (ଗୋଟିଏ ପରଘ ଉଠାଇ ସବେଗେ ନିକ୍ଷେପ କରି) ସମ୍ଭାଳ, ସମ୍ଭାଳି- ବାହାବାହା ବୀର ଜାମ୍ବୂବାନ୍! - ପ୍ରକାଣ୍ଡ ପଥରରେ ମହାପାର୍ଶ୍ୱର ଘୋଡ଼ା ଆଉ ରଥ ଚୁନା କରିଦେଲି !
[ କୁଦିପଡ଼ି ମହାପାର୍ଶ୍ୱର ପ୍ରବେଶ ।
ମହା।- ରହରହ ରେ ପାତ - ତୋର ବଳକଳ ମୋତେ ଜଣା ଅଛି । (ଧନୁଷ୍ଟଙ୍କାର କରି ବାଣ ନିକ୍ଷେପ ।)
ଅଙ୍ଗ ।- (ଆଉ ଗୋଟାଏ ପରିଘ ନେଇ) ସମ୍ଭାଳ - ତୋ ବାଣକାଟି ତୋର ଧନୁଶର ଆଉ ପାଗ ଖସାଇଦେବ ।
[ ମହାପାର୍ଶ୍ୱର ହାତରୁ ଧନୁଶର ଓ ମୁଣ୍ଡପାଗ ପରିଘ ବାଜି ଖସି ପଡ଼ିବା ।
ମହା ।- (ମହାକ୍ରୋଧରେ କୁଠାର ଘେନି) ସମ୍ଭାଳ ପାତ, ଏଥର ଆପଣା ପ୍ରାଣ ସମ୍ଭାଳ ।
ଅଙ୍ଗ ।- (ଦଉଡ଼ିଯାଇ ମହାପାର୍ଶ୍ୱର କାନମୂଳରେ ତଳା ପ୍ରହାର) ସମ୍ଭାଳ, ସମ୍ଭାଳ ।
ମହା ।- ସମ୍ଭାଳ ଏ କୁଠାରକୁ । (ଜୋରେ କୁଠାର ଉଠାଇ ମାରିବାବେଳେ କାନମୂଳର ତଳାପ୍ରହାର ହେତୁ କୁଠାର ଅଙ୍ଗଦର ବାମଭାଗରେ ପଡ଼ି ବ୍ୟର୍ଥ ହେବା) ।
ଅଙ୍ଗ ।- ତୁଟା ରାବଣର ତୁଚ୍ଛା ଅଇଣ୍ଠାଖିଆ କାନକୁହା ମହାପାଶୁଆ, - ସମ୍ଭାଳ ଏ ମୁଥକୁ (ହାତ ମୁଠା କରି ବୁଲାଇ ବୁଲାଇ ମହାପାର୍ଶ୍ୱ ବକ୍ଷରେ ବଜ୍ର ପ୍ରହାର ।)
ମହା ।- (ଚିତ୍କାର କରି) ମଲି ରେ- (ଗଁ ଗଁ ଶବ୍ଦ କରି ଭୂତଳେ ପତିତ ଓ ମୃତ୍ୟୁ ।)
ସୁଷେ ।- ଜୟ ଯୁବରାଜ ଅଙ୍ଗଦଙ୍କର ଜୟ !
ନେପଥ୍ୟେ ।- (ଘୋର ଜୟଧ୍ୱନି) ଜୟ ରାମଚନ୍ଦ୍ରଙ୍କର ଜୟ !
ସୁଗ୍ରୀ - ଦେଖ, ଦେଖ, ରାବଣ କେମନ୍ତ ରାଗରେ ଦାନ୍ତ କିଡ଼ିମିଡ଼ି କରି ମିତ୍ରଙ୍କ ଆଡ଼କୁ ଧାଇଁଛି । ଆଜି ଦୁଇଭାଇଙ୍କର ତେଜ ଭାରୀ ! ଧନୁରେ ଗୁଣ ଚଢ଼ାଇ ଦୁଇଭାଇ କେମନ୍ତ ସୁନ୍ଦର ଛବି ଅଙ୍କା ହୋଇ ଠିଆ ହେଲାପରି ଦିଶୁଛନ୍ତି !
ସୁଷେ ।- ଦେଖନ୍ତୁ ରାବଣ ବାଣ ମାରିଲା ମାତ୍ରକେ କେମନ୍ତ ସଜରେ ରାମଚନ୍ଦ୍ର କାଟି ଦେଉଛନ୍ତି
ଅଙ୍ଗ ।- ଲକ୍ଷଣ ଆଉ ସମ୍ଭାଳି ନ ପାରି ଭାଇଙ୍କ ଆଗକୁ ବାହାରି ଆସି ଯୁଦ୍ଧ କରୁଛନ୍ତି ।
ସୁଗ୍ରୀ ।- ମିତ୍ର ଅଟଳ ହୋଇ ଠିଆ ହୋଇଥିଲେ । ଲକ୍ଷ୍ମଣଙ୍କୁ ପାରିହୋଇ ତାଙ୍କ ଆଡ଼କୁ ରାବଣ ଧାଇଁ ଆସିଲା ।- ଦେଖ, ଏତେବେଳେ ଆମ୍ଭେମାନେ ଖାଲି ଠିଆ ହେଲେ ହେବ ନାହିଁ । ଯେ ଯେତେ ପାର ପଥର ଓ ଗଛ ପକାଇ ଗୋଟାକେତେ ରାକ୍ଷସଙ୍କୁ ପଠାଇ ଦିଅ ।- (ଦୁରକୁ ଗୋଟାଏ ପଥର ପକାଇ) ମଲାରେ ରାକ୍ଷସଟା ।
ସୁଷେ ।- (ଦୁରକୁ ଗଛଟାଏ ପକାଇ) ମଲା ରେ ପଲେ ଅସୁରେ ! - ଦେଖ ଦେଖ, ରାମଚନ୍ଦ୍ର ବର୍ଚ୍ଛା ଧରି କେମନ୍ତ ବାଣ କାଟୁଛନ୍ତି । ବାଃ ବାଃ- ରାମଚନ୍ଦ୍ରଙ୍କ ପରି କେହି ବାଣ ମାରିପାରିବ ନାହିଁ ।- ବାଣ କାଟି ବାଣ ବାହାରି ଯାଉଛି ।
ଅଙ୍ଗ ।- (ପଥରଟାଏ ପକାଇ) ମଲା ଅସୁରଟା ।- ରାବଣ କି କମ ନୁହେ ।- ଭାରୀ ଲଢ଼ୁଛି । ଦୁହିଁଙ୍କି ଦୁହେଁ ରଣପଣ୍ଡିତ - କେତେ ପ୍ରକାର ଗତିରେ ଯୁଦ୍ଧ କରଛନ୍ତି ।
ସୁଗ୍ରୀ ।- ଦେଖ ରାବଣର ଦେହରେ ବା ଗୋଟାଏ ଗୋଟିଏ ବାଣ ପଡ଼ୁଛି ମାତ୍ର ରାବଣର ଗୋଟିଏ ସୁଦ୍ଧା ବାଣ ମିତ୍ରଙ୍କୁ ଲାଗୁ ନାହିଁ । - ଚାଲ, ମିତ୍ରଙ୍କୁ ସହାୟ ହୋଇ ରାବଣକୁ ମାରିବାର ଏହି ଭଲ ସମୟ । ତାଙ୍କ ପାଖରେ ରହି ରାବଣ ଓ ତାର ସେନାବଳ କ୍ଷୟ କରିବା ।
[ ଆଗେ ଆଗେ ସୁଗ୍ରୀବ ଓ ତତ୍ପଶ୍ଚାତ୍ସୁଷେଣ ଓ ଅଙ୍ଗଦର ପ୍ରସ୍ଥାନ ।
ପଟପରିବର୍ତ୍ତନ ।
[ ଧନୁର୍ଦ୍ଧାରୀ ରାମ ଓ ଲକ୍ଷ୍ମଣ ଶର ପ୍ରେରଣରେ ନିଯୁକ୍ତ । ]
ରାମ ।- ଆଜି ଦଶାନନ ଦଶଦିକ ଶୂନ୍ୟ ଦେଖିବ । (ବାଣ ମାରୁ ମାରୁ) ରାବଣ ସଙ୍ଗେ ଏକା ଲଢ଼େଇ କରିବାରେ ସୁଖ ଅଛି ! ପ୍ରକୃତରେ ସେ ସମର ବିଦ୍ୟା ବିଶାରଦ ସେଇଥିପାଇଁ ଏତେ ଗର୍ବ ।
ସୁଗ୍ରୀ, ସୁଷେ ଓ ଅଙ୍ଗ ।-(ରାମଚନ୍ଦ୍ରଙ୍କର ପଛପଟରେ ଠିଆହୋଇ ଉଚ୍ଚୈସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ ।
ଲକ୍ଷ୍ମ ।- ସମ୍ଭାଳ, ସମ୍ଭାଳ ରାବଣ ! ଏ ସାତ ଶରରେ ତୋର ଶିରୀ ସାତଖଣ୍ଡ ହୋଇଯିବ । (ସପ୍ତାସ୍ତ୍ର ପ୍ରେରଣ)
ସୁଗ୍ରୀ, ସୁଷେ ଓ ଅଙ୍ଗ ।- (ଉଚ୍ଚୈଃସ୍ୱରେ) ଜୟ ଲକ୍ଷ୍ମଣଙ୍କର ଜୟ ! ରାବଣ ରଥର ମନୁଷ୍ୟ ମୁଣ୍ଡିଆ ଧ୍ୱଜପଟ ସାତଖଣ୍ଡ ହୋଇ କଟିଯାଇ ତଳେ ପଡ଼ିଲା ।
ଲକ୍ଷ୍ମ ।- (ଧନୁରେ ଶର ବସାଇ ଟାଣି) ସମ୍ଭାଳ ଏଥର ତୋର ସାରଥିକି । (ଶର ପ୍ରେରଣ ।)
ସୁଗ୍ରୀ, ସୁଷେ ଓ ଅଙ୍ଗ ।-ଜୟ ଲକ୍ଷ୍ମଣଙ୍କର ଜୟ ! କଟିଗଲା ରାବଣର ସାରଥିମୁଣ୍ଡ ।
ଲକ୍ଷ୍ମ ।- (ଧନୁରେ ପାଞ୍ଚଶର ବସାଇ) ସମ୍ଭାଳ ଏଥର ତୋର ଧନୁକୁ ରବାଣ ! (ଶର ପ୍ରେରଣ ।)
ସୁଗ୍ରୀ, ସୁଷେ ଓ ଅଙ୍ଗ ।-ଜୟ ଲକ୍ଷ୍ମଣଙ୍କର ଜୟ ! ରାବଣର ଧନୁ କଟିଗଲା, ଏଥର ଆସୁ ମରିବ ।
ଲକ୍ଷ୍ମ ।- (ଉଚ୍ଚୈଃସ୍ୱରେ) ବାଃ ବିଭୀଷଣ ! କୁଦିପଡ଼ି ଗଦାରେ ଚାରି ଘୋଡ଼ାଙ୍କୁ ଚୁନା କରିଦେଲ - ସାବାସ ! ଆସ ଏଆଡ଼େ ମୋ କତିରେ ଠିଆ ହୋଇ ଲଢ଼ିବ ।
ବିଭୀ ।- (ଲକ୍ଷ୍ମଣପାର୍ଶ୍ୱେ ଠିଆହୋଇ) ଧନୁଗଲା - ସାରଥି ଗଲା- ଘୋଡ଼ା ଗଲା- ଭାଇ ଆମର ଏଥର ମଲେ । ଏଥର ଖଣ୍ଡିଆ ରଥରୁ ଓହ୍ଳାଅ ।
{ କୁଦିପଡ଼ି ରାବଣର ପ୍ରବେଶ ।}
ରାବ ।- (ଶକ୍ତି ଉଠାଇ ଅତି କ୍ରୋଧ) କଣ କହିଲୁରେ ବିଭୀଷଣ ! - ମୁଁ ମରିବି କି ତୁ ମରିବୁ ଦେଖ (ଶକ୍ତି ନିକ୍ଷେପ ।)
ଲକ୍ଷ୍ମ ।- ହେଉ ହେଉ - ପଡ଼ିଲା ଯେ (ଧନୁରେ ବସାଇ ଶର ପ୍ରେରଣ) ।
ସୁଗ୍ରୀ, ସୁଷେ ଓ ଅଙ୍ଗ ।- ଜୟ ଲକ୍ଷ୍ମଣଙ୍କର ଜୟ ! ଶକ୍ତି ତିନିଖଣ୍ଡ ହୋଇ କଟିଗଲା ।
ରାବ - (ରାଗରେ ଦାନ୍ତ କିଡ଼ିମିଡ଼ି କରି) ହଇରେ ରାମର ଭାଇ ଲଇକ୍ଷଣିଆ ! ଦେଖିବା ଦେଖି ଏଥର ତୁ କିପରି ବିଭୀଷଣକୁ ରକ୍ଷା କରିବୁ - ମଣିଷ ଛୁଆଟାକୁ ପାଇଲେ ଚୋବାଇ ଯାନ୍ତି ! କେଡ଼େ ମିଠା ଲାଗନ୍ତା ! (ଗୋଟାଏ ଅତ୍ୟୁଜ୍ଜ୍ୱଳ ଶକ୍ତି ବିଭୀଷଣ ଆଡ଼କୁ ନିକ୍ଷେପ କରିବା ଉଦ୍ୟୋଗରେ ବୁଲାଇବା ଓ ବୁଲାଉ ଶକ୍ତି ପ୍ରଜ୍ଜ୍ୱଳିତ ହେବ।)
ଲକ୍ଷ୍ମ ।- ମାରିବୁ ନା ବିଭୀଷଣକୁ ? (ହଠାତ୍ବିଭୀଷଣର ସମ୍ମୁଖକୁ ଯାଇ ଧନୁରେ ବାଣ ବଶାଇ ମୂର୍ହୁ ମୁର୍ହୁଃ ରାବଣ ପ୍ରତି ନିକ୍ଷେପ) ।
ରାବ ।- ଏ ଦେହରେ ଯେ ଦୁର୍ଭେଦ୍ୟ କବଚ ଅଛି ତୋର ସହସ୍ର ଛାଡ଼ି ଲକ୍ଷ୍ମ ବାଣ ବି ତାର କିଛି କରିପାରିବ ନାହିଁ । ରେ ରେ ଲଇକ୍ଷଣିଆ ! (ଆଗ୍ନେୟ ଶକ୍ତି ବୁଲାଉ) ତୁ ମୋର ଗୁଣର ଭାଇକୁ ବଞ୍ଚାଇବାକୁ ଆସିଲୁ ! ରାବଣର ଶକ୍ତି ବ୍ୟର୍ଥ ହେବାର ନୁହେ- ବସିଲା ଏ ତୋ ଦେହରେ ! (ଶକ୍ତି ନିକ୍ଷେପ ।) ସମ୍ଭାଳ, ସମ୍ଭାଳ ରେ ଲଇକ୍ଷଣିଆ !
ରାମ ।- ଓହୋ ଏଡ଼େ ପ୍ରଚଣ୍ଡ ଶକ୍ତି - ଲକ୍ଷ୍ମଣର ମଙ୍ଗଳ ହେଉ ! ଶକ୍ତି ନିଷ୍ଫଳ ଓ ହତ୍ୟୋଦ୍ୟମ ହେଉ ।
ଲକ୍ଷ୍ମ ।- (ଉଚ୍ଚୈଃସ୍ୱରେ ବିକଳେ) ଓହୋ - ଛାତି ଫାଟିଯାଉଛି ! (ଆହତ ହୋଇ ଭୂତଳେ ପତିତ ।)
[ ହନୁମାନର ପ୍ରବେଶ ଏବଂ ସୁଗ୍ରୀବ, ସୁଷେଶ ଓ ଅଙ୍ଗଦ ସହିତ ଲକ୍ଷ୍ମଣର ହୃଦୟରୁ ଶକ୍ତି ଉଠାଇବାର ଚେଷ୍ଟା କରି ବିଫଳପ୍ରଯତ୍ନ ହେବା ।)
ରାବ ।- (ମୁହୁମୁର୍ହୁଃ ବାଣ ମାରୁ ମାରୁ) ମାଙ୍କଡ଼ଗୁଡ଼ାକ ଏ ବ୍ରହ୍ମଶକ୍ତି କାଢ଼ିବେ ! ଏ ମୟମାୟାନିର୍ମିତା ଅଷ୍ଟଘଣ୍ଟା ଯୁକ୍ତା ଶକ୍ତି - ତୁମ ବାପର ସାଧ୍ୟ ନାହିଁ କାଢ଼ିବ !
ରାମ ।- (ଦ୍ରୁତବେଗେ ଲକ୍ଷ୍ମଣ ନିକଟକୁ ଯାଇ ଦୁଇ ହାତରେ ଶକ୍ତି ଆକର୍ଷଣପୂର୍ବକ ଭାଙ୍ଗିପକାଇ ଲକ୍ଷ୍ମଣଙ୍କୁ କୁଣ୍ଢାଇ ଧରି) ଡର ନାହିଁ ! ଜୀବନକୁ ଡର ନାହିଁ ! ସର୍ବଙ୍ଗ ଲହୁଲୁହାଣ ହୋଇଯାଇଛି । ଦେଖ ସଖେ, ତୁମେ ଓ ହନୁମାନ ପ୍ରଭୃତି ଲକ୍ଷ୍ମଣକୁ ବେଢ଼ିକରି ରହିଥାଅ । ଦେଖୁଛ ତ ମୁଁ ଶକ୍ତି ଉଠାଇବାକୁ ଆସିବାବେଳୁଁ ରାବଣଟା ଦୟାମାୟା ଛାଡ଼ି ବାଣବର୍ଷା କରୁଛି । ମୋର ଚିରବାଞ୍ଛିତ ବଳ ପ୍ରକାଶର ସମୟ ଉପସ୍ଥିତ। ତୁମ୍ଭମାନଙ୍କ ନିକଟରେ ମୁଁ ସତ୍ୟ କରି କହୁଛି ଏହି ମୁହୂର୍ତ୍ତରେ ତମ୍ଭେମାନେ ଜଗତ୍ରାମଶୂନ୍ୟ ବା ରାବଣଶୂନ୍ୟ ହୋଇଛି ଶୁଣିବ । ଶୋଷୀ ଚାତକ ପାଣି ପାଇଲା ପରି ମୁଁ ଆଜି ପାପାତ୍ମା ରାବଣକୁ ଆଗରେ ପାଇଛି । ତାହାର ପ୍ରାଣ ଏହିକ୍ଷଣି ଶୋଷି ନ ନେଇ ରଖିବି ନାହିଁ । ରାଜ୍ୟନାଶ, ବନବାସ ଦଣ୍ଡକାରଣ୍ୟ ଭ୍ରମଣ, ବୈଦେହୀ ଧର୍ଷଣ, ରାକ୍ଷସମାନଙ୍କ ସହିତ ଯୁଦ୍ଧ ସମୁଦାୟ ଦୁଃଖ ମୋର ଆଜି ରାବଣକୁ ମାରି ଦୂର ହେବ । (ଫେରିପଡ଼ି ରାବଣକୁ ବାଣ ମାରୁ ମାରୁ) ସମ୍ଭାଳ, ସମ୍ଭାଳରେ ଦୁଷ୍ଟ ରାକ୍ଷସ । ତୋ ପାଇଁ ମୁଁ ବାଳିକୁ ମାରି ସୁଗ୍ରୀବଙ୍କୁ ରାଜା କରି ମହାସମୁଦ୍ରରେ ସେତୁ ବନ୍ଧ ପାରି ହୋଇ ଆସିଛି । ଆଜି ଗରୁଡ଼ ଆଗରେ ସାପ ପଡ଼ିଲା ପରି ମୋ ଆଗରେ ତୁ ଭେଟ ପଡ଼ିଛୁ । ରଖିବୁ କେମନ୍ତ ତୋର ପ୍ରାଣ ରଖ ।
ରାବ ।- (ଘୋର ରଡ଼ିକରି) ହଁ ରେ ଲେଙ୍ଗୁଟିଆ ରାମ ! ତୋର ବଳ ଜଣାଗଲା ! ଲକ୍ଷ୍ମଣର ଛାତିରୁ ଶକ୍ତିଟା ଉପାଡ଼ିଲୁ ବୋଲି ଭାରୀ ହେଣ୍ଡିମାରୁଛୁ ! (ଶର ମାରୁ ମାରୁ) ଏବେ ତୋ ଜୀବନ ରଖ ! ମାଙ୍କଡ଼ ଗୋଟାକୁ ମାରି ଆଉ ଗୋଟାକୁ ରାଜା କରି ପଲେ ମାଙ୍କଡ଼ ଭାଲୁଙ୍କୁ ସଙ୍ଗରେ ଆରି ଗଛ ପଥର ପକାଇ ସମୁଦ୍ରଟା ପାରିହୋଇ ଆସି ଏଡ଼େ ଗର୍ବ ! (ଦାନ୍ତ କିଡ଼ିମିଡ଼ି କରି) ପାଇଲେ ରଡ଼ମଡ଼ କରି ଚୋବାଇ ଯାନ୍ତି ।
ରାମ ।- ହେଉ, ହେଉ ରେ ପାପିଷ୍ଠ !- ସମ୍ଭାଳ ଏ ଷାଠିଏ ବାଣକୁ ।
ରାବ ।- ଦେଖୁଛି ! (କହୁ କହୁ ଷାଠିଏ ବାଣରେ ସର୍ବାଙ୍ଗବଦ୍ଧ ଦେହ ହେବାରୁ ହାତ କୁଣ୍ଡାଉ କୁଣ୍ଡାଉ ପଳାୟନ) ।
ରାମ ।- (ଚିତ୍କାର କରି) ପାପଷ୍ଠ ! ପଳାଉଛୁ କୁଆଡ଼େ ? ଲକ୍ଷ୍ମଣ ବ୍ୟସ୍ତ ହୋଇ ପଡ଼ି ନ ଥାନ୍ତେ କି - ଦେଖନ୍ତି ଏହିକ୍ଷଣି। (ଲକ୍ଷ୍ମଣ ନିକଟକୁ ଯାଇ କିଞ୍ଚିତ ନିରୀକ୍ଷଣ ପୂର୍ବକ) ସୁଷେଣ । ଲକ୍ଷ୍ମଣ ଆହତ ସାପପରି ଛାଟିପିଟି ହେଉଥିବା ଦେଖି ମୋର ଭାରୀ ଦୁଃଖ ହେଉଛି, ସର୍ବାଙ୍ଗ ରକ୍ତ ବୋଳି ହୋଇ ଗଲାଣି । ତାର ଅଙ୍ଗ ଅବସନ୍ନ ହୋଇ ଯାଉଛି, ହାତରୁ ଧନୁ ଖସି ପଡ଼ୁଛି ଆଉ ଆଖି ଛଳଛଳ ହୋଇ ଆସୁଛି ! ସେ ତ ଆଉ କଥା କହିପାରୁ ନାହିଁ- ମୋ ମନ ଭାରୀ ଘାଣ୍ଟୁଛି (କାନ୍ଦି ପକେଇ) ସେ ମଲେ ମୋର ପ୍ରାଣ ରଖି କି ହେବ ।
ସୁଷେ ।- ମୁଁ ତ ଓଷଧି ଦେଉଛି -ଆପଣ ଏତେ ବିକଳ ହେଉଛନ୍ତି କାହିଁପାଇଁ !
ରାମ ।- ସୁଷେଣ ! ତୁମ୍ଭେ ସ୍ୱୟଂ ଧନ୍ୱନ୍ତରି ! ତୁମ୍ଭେ ଔଷଧ ଦେଲା ମାତ୍ରକେ ଫଳ ହୁଏ । (ଲକ୍ଷ୍ମଣ ନିକଟରେ ବସିପଡ଼ି ଲକ୍ଷ୍ମଣର ହାତକୁ ଧରି) ଦେଖ ଏ ହାତ ନିଶ୍ଚେଷ୍ଟ ହୋଇ ଆସୁଛି । ତୁମ୍ଭେ ଏତେ ଔଷଧ କଲ, କିଛି ଫଳ ନୋହିବାର ଦେଖି ମୋର ମନ ବଡ଼ ବିକଳ ହେଲାଣି ! ପାପିଷ୍ଠ ରାବଣର ଶକ୍ତି ମୋ ଭାଇର ଛାତି ଫଟାଇ ଦେଉଛି ! (କାନ୍ଦେ) ହାୟ ଲକ୍ଷ୍ମଣ ! ତୁ ନ ଥିଲେ ମୋର ବିଜୟରେ କି ଲାଭ ? ଚନ୍ଦ୍ର ଅସ୍ତ ହେଲେ ଆଉ ଆନନ୍ଦ ଥାଏ କି ? ଲକ୍ଷ୍ମଣ ଗଲା ତ ଆଉ ଯୁଦ୍ଧରେ କି ପ୍ରୟୋଜନ ଅଛି ? ପ୍ରାଣରେ ବା କି ପ୍ରୟୋଜନ ! ଆଉ ମୁଁ ଯୁଦ୍ଧ କରିବି ନାହିଁ ! ମୁଁ ବନବାସକୁ ଆସିଲାରୁ ତୁମୋ ପଛରେ ଆସିଲୁ- ମୁଁ ଯମଭବନକୁ ତୋ ପଛେ ପଛେ ଯିବି !
ସୁଷେ ।- (ଚିକିତ୍ସା କରୁ କରୁ) ହେ ନରଶାର୍ଦୁଳ ! ଆପଣ ସ୍ଥିରହେଉନ୍ତୁ-କାତର ହେବେ ନାହିଁ । ଲକ୍ଷ୍ମୀମନ୍ତ ପ୍ରାଣତ୍ୟାଗ କରି ନାହାନ୍ତି-ତାଙ୍କର ମୁହଁରେ ତେଜ ଅଛି-କାଳି ପଡ଼ି ନାହିଁ କି ବିକାର ଘଟି ନାହିଁ । (ଛାତିରେ ହାତ ହେଇ) ଦେଖନ୍ତୁ, ଅଦ୍ୟାପି ଛାତି କମ୍ପୁଛି-ଅନ୍ତଃଶ୍ୱାସ ବହୁଛି । (ହନୁମାନ ପ୍ରତି) ବୀର ! ମନ୍ତ୍ରିବର ଜାମ୍ବବାନ ଯେଉଁ କଥା କହୁଥିଲେ ତୁମ୍ଭେ ଶୀଘ୍ର ଏଠାରୁ ସେହି ମହୋଦୟ ଓଷଧି ଗିରିକୁ ଯାଅ । ତାହାର ଦକ୍ଷିଣ ଶିଖରେ ବିଶଲ୍ୟକରଣୀ, ସାବର୍ଣ୍ଣ୍ୟକରଣୀ, ସଞ୍ଜୀବକରଣୀ ଓ ସନ୍ଧାନ କରଣୀ ନାମରେ ଚାରୋଟି ମହୌଷଧି ଅଛି-ଲକ୍ଷ୍ମଣଙ୍କୁ ଜୀଆଇବା କାରଣ ଶୀଘ୍ର ସେହି ଓଷଧି ସବୁ ଆଣ ।
ହନୁ ।- ଏ ହି ଆଣିଲି ବୋଲି । (ପ୍ରସ୍ଥାନ ।)
ରାମ ।- ସୁଷେଣ ! ହନୁମାନ ସେ ଓଷଧି ସବୁ ଚିହ୍ନି ଆଣି ପାରିବ ତ ? (କାନ୍ଦୁ କାନ୍ଦୁ) କବିରାଜେ ! ଲକ୍ଷ୍ମଣର ଦେହରୁ କ୍ରମେ ଜୀବ ଛାଡ଼ିଯିବାର ଦେଖି ମୋର ମନ ବ୍ୟାକୁଳ ହେଉଛି । ଲକ୍ଷ୍ମଣପରି ମୁଁ ଭାଇ ପାଇବିନାହିଁ । ଲକ୍ଷ୍ମଣ ନାହିଁତ ମୋର ଆଉ ରାଜ୍ୟରେ ପ୍ରୟୋଜନ ନାହିଁ । ହାୟ ! ମୁଁ କିରୂପେ ପୁତ୍ରବତ୍ସଳା ମାତା ସୁମିତ୍ରାଙ୍କୁ ଲକ୍ଷ୍ମଣର ମୃତ୍ୟୁବାର୍ତ୍ତା ଜଣାଇବି । ମା କୌଶଲ୍ୟା ମା କୈକେୟୀଙ୍କି ମୁଁ କିସ କହିବି ? ମୁଁ ମା ସୁମିତ୍ରାଙ୍କ ଗାଳି ସହି ପାରିବି ନାହିଁ ! ମହାବଳି ଭାଇ ଭରତ ଆଉ ଶତ୍ରୁଘ୍ନ ଲକ୍ଷ୍ମଣକୁ ସଙ୍ଗରେ ନ ଧରି ଆସିଲ କାହିଁକି ପଚାରିଲେ ମୁଁ କି ବୋଲି ଉତ୍ତର ହେବି । ହାୟ, ବନ୍ଧୁମାନଙ୍କର ତିରସ୍କାର ସହିବାଠାରୁ ମୋର ଏହିଠାରେ ପ୍ରାଣ ହରାଇବା ଉଚିତ । ହାୟ । ମୁଁ ଜନ୍ମାନ୍ତରେ କି ପାପ କରିଥିଲି ଯେ ଆଗେ ମୋର ସାନ ଭାଇ ମରି ପଡ଼ିଲେ । ହାୟ ବଳିୟାର ଭାଇ । ତୁ କିମ୍ପାଇ ମୋ ଆଗେ ପରଲାକକୁ ଯାଉଛୁ । ହାୟ ଭାଇ ! ମୁଁ ଏତେ କାନ୍ଦୁଛି, ତୁ ମୋତେ କଥା କହୁ ନାହୁଁ ! ଥରେ ଉଠ, -କାହିଁକି ଏତେ ଶୋଇଛୁ । ଥରେ ମୋର ଅବସ୍ଥା ଆଖିରେ ଦେଖ । ମହାବାହୋ। ପାହାଡ଼ଜଙ୍ଗଲରେ ମୁଁ ବିକଳ-ମୁଁ ଶୋକାର୍ତ୍ତ ହେଲେ-ମୁଁ ବୁଦ୍ଧି ହରାଇଲେ ତୁ ସିନା ମୋତେ ଆଶ୍ୱାସ ଦେଉଥିଲୁ ! ତୋତେ ଛାଡ଼ି ମୁଁ କେଉଁଠାକୁ ଯିବି ?
(ପର୍ବତ କାନ୍ଧରେ ଘେନି ହନୁମାନର ପ୍ରବେଶ)
ହନୁ ।- କବିରାଜେ ! ମୁଁ ଓଷଧି ଚିହ୍ନି ନ ପାରି ପର୍ବତ ଶିଖଟାଯାକ ଘେନି ଆସିଛି ।
ସୁଷେ ।- ବେଶ୍ ବେଶ୍ ! ଏହି ପର୍ବତ ଶିଖରେ ଓଷଧି ଅଛି । ଏଡ଼େବଡ଼ ଶିଖଟାକୁ ଆଣିଲ କିପରି ? (ଉଠିଯାଇ ଓଷଧି ଖୋଜିବା ।)
ହନୁ ।- ବିଳମ୍ବ ହେଲେ ବିଘ୍ନ ଘଟିବ ମନେ କରି ତିନିଥର ପର୍ବତକୁ ଝୁଙ୍କାଇଦେଲି-ଶିଖଟି ଅଲଗା ହୋଇଯିବାରୁ କାନ୍ଧରେ ପକାଇ ଯେମତେ ବିମାନରେ ଗଲି ସିଧା ସେହିବାଟେ ଫେରିଲି ।
ସୁଷେ ।- ସାଧୁ ସାଧୁ ! ତୁମ୍ଭପରି ବୀର ଜଗତରେ ଦୁର୍ଲ୍ଲଭ- (ଆନନ୍ଦରେ ଲମ୍ଫପ୍ରଦାନ କରି) ହେଇଟି ତ ଓଷଧି ! (ଓଷଧି ଆଣି ଚୂରିକରି ଲକ୍ଷ୍ମଣର ନାକରେ ଦେବା ।)
ଲକ୍ଷ୍ମ ।- ଆଃ-କେଡ଼େ ଆରାମ ଜଣାଗଲା । (ଉଠିବସିବା ।)
ସୁଗ୍ରୀ, ଅଙ୍ଗ, ହନୁ ।- ସାଧିୁ ସାଧୁ ବୀର ଲକ୍ଷ୍ମଣ । ସାଧୁ ବୀର ହନୁମାନ !
ରାମ ।- (ଆନନ୍ଦରେ ଉଠି) ଆସ ଆସ ହନୁମାନ । ଏ ୠଣ ମୁଁ କେବେ ଶୁଝିପାରିବି ନାହିଁ ! (ହନୁମାନକୁ ଗାଢ଼ ଆଲିଙ୍ଗନ କରି) ତୁମ୍ଭେ ବାୟୁ-ବିଦ୍ୟାରେ ପାରଦର୍ଶୀ; କାର୍ଯ୍ୟସମ୍ପାଦିକା ସିଦ୍ଧି, ବୁଦ୍ଧି, ଉଦ୍ୟମ, ଶୌର୍ଯ୍ୟ ଆଉ ଶାସ୍ତ୍ରଜ୍ଞାନ ସବୁ ତୁମ୍ଭଠାରେ ପ୍ରତିଷ୍ଠିତ । ଚରାଚରରେ ତୁମ୍ଭର କିଛି ଦୁଷ୍ପ୍ରାପ୍ୟ ନାହିଁ । ଆଜି ତାହାର ସୁନ୍ଦର ପରୀକ୍ଷା ହେଲା । (ଲକ୍ଷ୍ମଣ ନିକଟରେ ବସି ଲକ୍ଷ୍ମଣକୁ କୁଣ୍ଢାଇ ଧରି) ବୀର ଭାଇ ! ମୁଁ ଭାଗ୍ୟବଳରେ ତୋତେ ଯମହାତରୁ ଫେରି ପାଇଲି । ତୁ ନ ଥିଲେ ବିଜୟଲାଭ, ସୀତା ଆଉ ପ୍ରାଣଧାରଣ ଏ ସବୁ ମୋର ଆଉ କାମରେ ଆସନ୍ତା ନାହିଁ। ତୁ ହତ ହୋଇଥିଲେ ମୋର ବଞ୍ଚି କି ଲାଭ ହୋଇଥାନ୍ତା ?
ଲକ୍ଷ୍ମ ।- ସତ୍ୟପରାକ୍ରମ ଭାଇ ! ଆଗ ପ୍ରତିଜ୍ଞା ମନେ ରଖନ୍ତୁ-ଦୁର୍ବଳ ପରି କଥା କହିବେ ନାହିଁ । ମୋ ପାଇଁ ଆପଣ ନିରାଶ ହେଉଛନ୍ତି କାହିଁକି ? ଆଜି ଆପଣ ରାବଣକୁ ମାରି ପ୍ରତିଜ୍ଞା ପାଳନ୍ତୁ । ଆପଣଙ୍କ ଆଗରୁ ରାବଣ ପ୍ରାଣ ଘେନି ଫେରିଯିବ ? ତୀକ୍ଷ୍ଣ ଦନ୍ତ ସିଂହ ହାବୁଡ଼ୁଁ ମହାଗଜ ବଞ୍ଚିଯିବ ? ସୂର୍ଯ୍ୟ ଅସ୍ତ ହେଲା ଆଗରୁ ଦୂରାତ୍ମା ରାବଣକୁ ବଧ କରନ୍ତୁ । ଆଜି ରଣଭୂମିରେ ରାବଣର ଦେହ ପାତିତ କରନ୍ତୁ-ପ୍ରତିଜ୍ଞା ରକ୍ଷା କରନ୍ତୁ, ରାଜନନ୍ଦିନୀ ସୀତାଙ୍କୁ ଲାଭ କରନ୍ତୁ ।
ରାମ ।- ତୁ ତ ବଞ୍ଚିଗଲୁ-ଆଉ ମୋର କ୍ଷୋଭ କିସ ? (ଧନୁର୍ବାଣ ଉଠାଇ) ଏହି ମୁଁ ରଣଭୂମିକୁ ଚାଲିଲି-ଉଠ, ସେନାପତି ଓ ସେନାଗଣ !
ସୁଗ୍ରୀ ।- ଉଠ ସମସ୍ତେ ! ଥରେ ରାମଚନ୍ଦ୍ରଙ୍କର ଜୟଧ୍ୱନି କର ।
ସମସ୍ତେ ।- ଜୟ ରାମଚନ୍ଦ୍ରଙ୍କର ଜୟ !
ନେପଥ୍ୟେ ।- ଜୟ ରାମଚନ୍ଦ୍ରଙ୍କର ଜୟ !
ରାମ ।- ଆସ, ରାବଣ କୁଆଡ଼େ ଲୁଚିଛି ଦେଖିବା ।
(ଆଗେ ଆଗେ ରାମଚନ୍ଦ୍ରଙ୍କର ଓ ତତ୍ପଶ୍ଚାତ୍ ଅନ୍ୟ ସମସ୍ତଙ୍କର ପ୍ରସ୍ଥାନ ଓ ଅଦୃଷ୍ଟକୁମାରୀଙ୍କର ପ୍ରବେଶ ।)
ଅଃ କୁଃ ।- (ନୃତ୍ୟ ସହିତ ଗୀତା ।)
ରାଗିଣୀ ଇମନ । ତାଳ ଖଏରା । (କୀର୍ତ୍ତନ ଏକତାଳୀ) ।
ସମର ଅନଳେ ଝାସ ଦେଲେ ନରେ କେତେ ଦୁଃଖ ତହିଁ ଘଟେ ହେ ।
ଧର୍ମବଳ ତାର ଅଟଇ ଉତାର ପରାଣ ପାଇ ସଙ୍କଟେ ହେ । ଘୋଷା ।
ଧର୍ମ ରଖଇ ମହତପଣ ।
ଧର୍ମ ଜଗଇ ଜୀବଜୀବନ ।
ଧର୍ମ ରଣେ ସାକ୍ଷୀ ଜୀବନ ପରଖି ଜନମ କରଇ ଧନ୍ୟ ।।
ଜନୈକ ଅ,କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ରାମଚନ୍ଦ୍ର ବୀର !
ସମସ୍ତେ ।- ସତେ ମର୍ତ୍ତ୍ୟେ ଅବତରି ଅସୁର ବିନାଶେ ଦୃଢ଼ କରିଛ ଶରୀର ।।
ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ଶୂର ଲଛମଣ ।
ସମସ୍ତେ ।- କେତେ ଅରଜିଲ ଯଶ ବଡ଼ଭାଇ ସେବି ଅବିରତ ପ୍ରାଣପଣ ।
ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ବଳୀ ହନୁମାନ ।
ସମସ୍ତେ ।- ହେଳେ ବିମାନେ ସାଗର ପାରି ହୋଇ ବଳେ ବହିଲ ଗନ୍ଧମାଦନ ।।
ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ ଧନ୍ୟ ଧନ୍ୟ ଭିଷକ ସୁଷେଣ ।
ସମସ୍ତେ ।- ଏବେ ଭୀମ ରଣକ୍ଷେତ୍ରେ ଦିବ୍ୟ ପ୍ରତିକାରେ ଧନ୍ୱନ୍ତରି ନାମ ଘେନ ।। ଧନ୍ୟ ଧନ୍ୟ ରାମ ଧନ୍ୟ ସେନା ବଳ ଧନ୍ୟ କଳ କୌଶଳ ପ୍ରକଟେ ହେ ।୧।
ପାପୀ ଯାଇନାହିଁ ସେହି ଦିକ ।
ପାପେ ଘୂରାଇ ମଥା ଅଧିକ ।।
ପାପେ ମତ୍ତ ହୋଇ ସମର ଭିଆଇ ମାରେ ଯେ ତାହାକୁ ଧିକ ।।
ଜ, ଅ, କୁ ।- ଧିକ ଧିକ ରେ-ଧିକ ଧିକ ଅସୁର ରାବଣ ।
ସମସ୍ତେ ।- ଏତେ ଭୋଗ ଐଶର୍ଯ୍ୟରେ ଚୋରି କରି ସତୀ ଭିଆଉ ନିଜ ମରଣ ।।
ଜଃ ଅଃ କୁ ।- ଧିକ ଧିକରେ-ଧିକ ଧିକ ତୋର ରାଜପଣ ।
ସମସ୍ତେ ।- ହେଳେ ଧର୍ମଛଡ଼ା ହୋଇ ଲକ୍ଷ୍ମୀଛଡ଼ା ହେଲୁ ନ ଦେଖା ପାପବଦନ ।
ଜଃ ଅଃ କୁ ।- ଧିକ ଧିକରେ-ଧିକ ଧିକ ତୋହର ପ୍ରତାପ ।
ସମସ୍ତେ ।- ଦେଖୁ ବଂଶ ନାଶ କଲା ଏଡ଼େ ମନ୍ଦ ବୁଦ୍ଧି ତଥାପି ନ ଛାଡ଼ୁ ପାପ ।
ଜଃ ଅଃ କୁ ।- ଧିକ ଧିକ ରେ-ଧିକ ତୋହରି ଜନମ ।
ସମସ୍ତେ ।- ଯେବେ ଭଲ ବୋଲି କହି ଗୁଣ ନ ଗାଇଲେ ବୃଥା ତୋହର ଜୀବନ ।
ଧିକଧିକ ଦଶାନନ ଧିକ ତୋ ପରାଣ ଭଲ ନାହିଁ ଭାଲପଟେ ରେ ।୨।
[ ରଥୋପରି ରାବଣ ଅଚେତନ ଅବସ୍ଥାରେ ନିପତିତ ଓ ସାରଥି ଉପବିଷ୍ଟ ଏବଂ ଚତୁର୍ଦ୍ଦିକରେ ରାକ୍ଷସସେନାଏ ବିକଳେ ଉପସ୍ଥିତ । ]
ସାର ।- ଓଃ ! ରାମଚନ୍ଦ୍ରଙ୍କର କି ଅଭୁତଶକ୍ତି-କି ଆଶ୍ଚର୍ଯ୍ୟ ରଣଶିକ୍ଷା ! କେତେ ପ୍ରକାର ବାଣ ତାଙ୍କଠାରେ ଅଛି ! ବାଣ ସରିବାକୁ ନାହିଁ କି ଗୋଟାଏ ସୁଦ୍ଧା ବାଣ ବ୍ୟର୍ଥ ହେଉନାହିଁ ! ତଳେ ଠିଆହୋଇ ଲଢ଼ୁଥିବାର ଦେଖି ଇନ୍ଦ୍ର ରଥସହିତ ତାଙ୍କର ଧନୁ, କବଚ, ବାଣ, ଆଉ ଶକ୍ତି ପଠାଇଦେଲେ । ରଥରେ ଚଢ଼ି ଯୁଦ୍ଧ କଲାବେଳେ ତାଙ୍କର ଶକ୍ତି ପୁଣି ଅପରିମିତ ଦେଖାଯାଏ । ରାବଣ ପରି ଏଡ଼େବଡ଼ ଯୋଦ୍ଧାକୁ ସେ ତ ତିଳେ ଖାତିର କରୁନାହାନ୍ତି ! ଦୈବ ବାଣ, ଗାନ୍ଧର୍ବ ଅସ୍ତ୍ର କଣ ତାଙ୍କର ଊଣା ଅଛି କି ! ରାବଣ ଭୟଙ୍କର ସର୍ପାସ୍ୱ ମାରିବାରୁ ସେ ଗରୁଡ଼ାସ୍ତ୍ରରେ ତାହା ନଷ୍ଟ କଲେ । ରାବଣ କ୍ରୋଧରେ ସହସ୍ରବାଣ ମାରିବାରୁ ରାମଚନ୍ଦ୍ର ଅସଂଖ୍ୟ ଦିବ୍ୟାସ୍ତ୍ରରେ ଚାରିଦିକ ଘୋଡ଼ାଇ ପକାଇଲେ । ତୁମୁଳ ଯୁଦ୍ଧ-ବାଣଗର୍ଜନରେ ଆକାଶ ପାତାଳ କମ୍ପିଗଲା । ରାବଣ ଶୂଳ ଉଠାଇ ମାରିବାରୁ ରାମ ଶକ୍ତି ପ୍ରେରଣ କରି ତାକୁ ବ୍ୟର୍ଥ କଲେ । ଦେଖୁଁ ଦେଖୁଁ ସିଧା ରାମର ବାଣମାନ ଆସି ରାବଣର ଛାତି ଓ କପାଳରେ ବସି ଚେତନା ବୁଡ଼ାଇଦେଲା ।- (ନାକ ନିକଟରେ ହାତ ଦେଇ) ଅଦ୍ୟାପି ନିଶ୍ୱାସ ବହୁଛି । ସେ ଅଚେତନ ହେଲାରୁ ମୁଁ ତ ରଥ ଏପାଖକୁ ଘେନିଆସିଲି, ମାତ୍ର ଉଠିଲେ ଏହିକ୍ଷଣି କେତେଗୁଡ଼ାଏ ଗାଳିଦେବେ । ଏମାନଙ୍କର ଭଲ କରିବାର ନୁହେ ।- ଆଉ ଟିକିଏ ଥିଲେ ରାମ ଆଉ ତାର ସେନାଦଳ ପଶି ଆସି ଯେ ମାରିପକାଇଥାନ୍ତେ ତାହା ବୁଝୁଛି କିଏ ? ଦେଖେଁ ! (ରାବଣକୁ କିଞ୍ଚିତ୍ ନିରୀକ୍ଷଣ କରି) ଦେହରୁ ରକ୍ତର ଧାରା ବହିଯାଉଛି । ନିଶ୍ୱାସ ଟିକିଏ ତେଜ ହୋଇଆସିଲାଣି । ଯାହାହେଉ ଘୋଡ଼ାଗୁଡ଼ାକ ବାଣରେ ଜର୍ଜରିତ ହୋଇଯାଇଥିଲେ-ସେ ବି ଟିକିଏ ଦମ ନେଲେ । ଇନ୍ଦ୍ରସାରଥି ମାତଳି ବଡ଼ ବିଚକ୍ଷଣ-କେମନ୍ତ ସଜରେ ସେ ବାଗ ଦେଖି ରଥ ଚଳାଇ ବାଣ ଏଡ଼ୁଛନ୍ତି । ସେ ମାଙ୍କଡ଼ଭାଲୁ ଗୁଡ଼ାକ ପୁଣି ଗଛପଥର ପକାଇ ଏପରି ଲଢ଼ୁଛନ୍ତି ଯେ ହେବାର ନୁହେଁ !
ରାବ ।- (ସଂଜ୍ଞା ଲାଭପୂର୍ବକ ଉଠି ଚକ୍ଷୁ ଆରକ୍ତ କରି) ରେ ନିର୍ବୋଧ ! ତୁ ସାରଥିର ଅଯୋଗ୍ୟ । ତୁ ଭାବିଛୁ ମୁଁ ବୀର୍ଯ୍ୟହୀନ, ଅସ୍ତ୍ରପ୍ରୟୋଗରେ ଅସମର୍ଥ, ପୌରୁଷବିବର୍ଜିତ, ଅଳ୍ପଚିତ୍ତ, ମୋର ସତ୍ତ୍ୱ ନାହିଁ, ତେଜ ନାହିଁ, ମାୟା ନାହିଁ, ମୁଁ ଅସ୍ତ୍ରଶସ୍ତ୍ରରେ ଅନଭିଜ୍ଞ ! ତୁ ଏଡ଼େ ଡରକୁଡ଼ା ! ତୁ ସେହିତା ଭାବି ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରି ମୋ ରଥକୁ ଚିରଶତ୍ରୁ, ଲେଙ୍ଗୁଟିଆ ରାମ ଆଗରୁ ଆଣି ଏକପାଖିଆ କରି ଥୋଇଛୁ ! ମୋର ମହତ ସାଇଲୁ! ମୁଁ ତ୍ରିଭୁବନବିଜୟୀ ରାବଣ ବୋଲି କି ତୁ ଜାଣୁ ନା । ତୁ ମୋତେ ଅବଜ୍ଞା କଲୁ-ଛାର ମଣିଷ ନିକଟରେ ମୋର ମହତ୍ୱ ଦିକଡ଼ାର କରିଦେଲୁ । ମୋର ଚିରାପାର୍ଜିତ ଯଶ, ବୀର୍ଯ୍ୟ, ତେଜ ଆଉ ବଳବାନ ବୋଲି ଲୋକଙ୍କର ବିଶ୍ୱାସ ସବୁ ତୁ ନଷ୍ଟ କଲୁ । ମୁଁ ଚିରକାଳ ଯୁଦ୍ଧଲୋଭୀ ଜାଣି ସଦା ତୁ ଶତ୍ରୁ ନିକଟରେ ମୋତେ କାପୁରୁଷ କରିପକାଇଲୁ ।- ଜାଣିଲି ତୁ ଶତ୍ରୁର କଥା ଶୁଣି ରଥ ଲେଉଟାଇ ଆଣିଲୁ । ତୁ ମୋର ଶତ୍ରୁ । ହିତାକାଂଙ୍କ୍ଷୀ ବନ୍ଧୁ ହୋଇଥିଲେ କେବେ ଏପରି କାମ କରି ନ ଥାନ୍ତୁ । ତୁ ପୁରୁଣା ଚାକର ବୋଲି ମୁଁ ଏଥର ଛାଡ଼ି ଦେଲି । (ଅତି କ୍ରୋଧରେ) ଚାଲ, ଶତ୍ରୁ, ରଣଭୂମି ଛାଡ଼ିଯିବା ପୂର୍ବରୁ ରଥ ଚଳାଇ ଦେ ।
ସାର ।- (କରଯୋଡ଼େ) ରାକ୍ଷସେନ୍ଦ ! ମୁଁ ଭୟରେ, ଅନବଧାନରେ, ମୋହବଶରେ, ଛାମୁ ପ୍ରତି ସ୍ନେହହୀନ ଅଥବା ଶତ୍ରୁର କୌଣସି କଥା ଶୁଣି ଏରୂପ କାର୍ଯ୍ୟ କରିନାହିଁ । ଛାମୁରୁ ମୋତେ ଶାଢ଼ୀ, ଶିରପା ଆଦି ଯେତେ ମିଳିଛି ତାହା ମୁଁ ଭୁଲିନାହିଁ । ରଣମଧ୍ୟରୁ ରଥ ଆଣିବା ଅନୁଚିତ ହେଲେ ସୁଦ୍ଧା ମୁଁ ଛାମୁ ଯଶୋରକ୍ଷା ଓ ମଙ୍ଗଳସାଧନ କାମନାରେ ସ୍ନେହବଶରୁ ହିତ ମନେ କରି ଏହି ଅପ୍ରିୟ କାର୍ଯ୍ୟ କରିଛି । ମହାରାଜ ! ମୁଁ ଚିରକାଳ ଛାମୁର ପ୍ରିୟ ଆଉ ହିତକର କାର୍ଯ୍ୟରେ ରତ ! ମାତ୍ର ଏତେବେଳେ ମୋତେ ଛୋଟ ଲୋକ ବାପୁଡ଼ା ପରି ଗାଳିଦେବା ଛାମୁର ଉଚିତ ନୁହେ ।
ରାବ ।- ତୁ ରଥ ଫେରାଇଲୁ କାହିଁକି ? ତୁ ପ୍ରବୀଣ ସାରଥି । ଇନ୍ଦ୍ରଲୋକରେ ଯୁଦ୍ଧ କଲାବେଳେ ତ ତୁ ମୋର ବଳକଳ ଦେଖିଛୁ-ଏ ସାମାନ୍ୟ ଶତ୍ରୁସଙ୍ଗେ ଲଢ଼ିଲାବେଳେ ରଥ ଫେରାଇଲୁ ! ମୋର ମାନମହତ୍ୱସାରିଦେଇଛୁ ନା ରଖିଛୁ !
ସାର ।- (ଯୋଡ଼ହସ୍ତେ) ମହାରାଜ ! ସାଗରଜଳ ଫୁଲିଉଠି ନଦୀବେଗକୁ ଫେରାଇଲା ପରି ମୁଁ ରଣରୁ ଯେ ଛାମୁରଥ ଫେରାଇ ଆଣିଲି ତାହାର କାରଣ ଶୁଣନ୍ତୁ । ଛାମୁ ଯେତେବେଳେ ଯୁଦ୍ଧଶ୍ରମରେ ନିତାନ୍ତ କାତର ହୋଇଗଲେ ଆଉ ଦେଖିଲି ଯେତେବେଳେ ଶତ୍ରୁ ନିତାନ୍ତ ବଳୋଦ୍ଧତ, ଯୁଦ୍ଧରେ କିଛିମାତ୍ର କ୍ଲାନ୍ତ ହୋଇନାହିଁ, ଯେତେବେଳେ ଆମର ଘୋଡ଼ାଗୁଡ଼ାକ ବର୍ଷାମାଡ଼ ଖାଇଲା ଗୋରୂପର ରହିଯାଇ ରଥ ଟାଣିବାକୁ ଅକ୍ଷମ ହୋଇଗଲେ ମୁଁ ଏହା ନ କରି ଆଉ କିସ କରିଥାନ୍ତି ? ଯେଉଁସବୁଁ ଅଶୁଭ ଲକ୍ଷଣ ଦେଖାଗଲା ତହିଁରେ ଆମର ଅନିଷ୍ଟ ହେବା ବୁଝିଲି । ଦେଶ, କାଳ, ରଥିର ଲକ୍ଷଣ, ଇଙ୍ଗିତ, ଦୈନ୍ୟ, ହର୍ଷ, ଖେଦ, ବଳ ଆଉ ଦୌର୍ବଲ୍ୟ, ସ୍ଥାନର ସମତା ଓ ଅସମତା ଆଉ ନିମ୍ନତା, ଯୁଦ୍ଧର ଅବସର, ପୁଣି ଶତ୍ରୁର ଛିଦ୍ର ଏ ସବୁ ଜାଣି ଚଳିବା ସାରଥିର ଉଚିତ । କେତେବେଳେ ରଥ ଶତ୍ରୁଆଡ଼କୁ ନେବାକୁ ହେବ, କେତେବେଳେ ଫେରି ପଳାଇବ, ଆଉ କେତେବେଳେ ଶତ୍ରୁର ଆଗରେ ରହିବ ଅଥବା କେତେବେଳେ ପାଖରେ ଚଳାଇବ ଏ ସବୁ ବିଷୟ ସାରଥି ବିଶେଷରୂପେ ଜାଣିବା କର୍ତ୍ତବ୍ୟ । ମୁଁ ଛାମୁ ବିଶ୍ରାମ ସକାଶେ ଆଉ ଘୋଡ଼ାଙ୍କୁ ଦମ୍ ଦେବା କାରଣ ଭଲ ଜାଣି କରିଛି-ମୋ ମନକୁ ମୁଁ ରଥ ଫେରାଇନେଇ ଆସିନାହିଁ, ପ୍ରଭୁଙ୍କ ସ୍ନେହବଶରୁ ଏପରି କରିଛି ! ଛାମୁ ବୀର, ଶତ୍ରୁ ହନ୍ତାଯେପରି ଆଜ୍ଞା ଅବଧାନ ହେବେ ସେହପରି ଋଣ ଶୁଝିବି ।
ରାବ ।- ଭଲ ଭଲ ସୁତ ! ମନରେ କଳ୍ପନା ନ କର-ତୁ ଭଲ ବୁଝି କରିଛୁ । ଯାହା ହେବାର ତ ହେଲାଣି-(ହାତରୁ ବଳା ବାହାର କରି) ନେ ଏ ସୁନାଖଡ଼ ତୋତେ ପୁରସ୍କାର ଆଜ୍ଞା ହେଲା । ଏହାକୁ ନାଇ ରଥ ଚଳା । (ସାରଥିର ହାତକୁ ଟାଣିନେଇ ବଳା ପିନ୍ଧାଇବା ।)
ସାର ।- (କରଯୋଡ଼େ) ଛାମୁ ବୁଝିଲେ ଏହି ମୋର ଲକ୍ଷେଟଙ୍କା ! ଛାମୁ-ଅନ୍ନ ଖାଇ ଯେବେ ଛାମୁଙ୍କ ପ୍ରାଣକୁ ନ ଜଗିଲି, ତେବେ ସାରଥିପଣକୁ ଧିକ୍ ! ରାମର ବଳ କମ୍ ନୁହେଁ- ସେ ଲକ୍ଷଣିଆର ଛାତିରୁ ଶକ୍ତି ଟାଣି ଆଣି ଭାଙ୍ଗି ପକାଇଲା । ଛାମୁ ଖୁବୁ ଜଗି ତା ସଙ୍ଗେ ଲଢ଼ିବେ । ତୈଲୋକ୍ୟରେ ଛାମୁ ସରି ବୀର ନାହିଁ-ଛାମୁ ସେ ଛାର ମଣିଷଟାକୁ ଡରିବେ । ମାତ୍ର ତାର କଳକୌଶଳ ଯେପରି ଦଳବଳ ବି ସେପରି । ଲକ୍ଷଣିଆଟା ସୁକ୍ ସୁକ୍ ହୋଇ ଗଲାଗଲା ପରି ହେଲାବେଳେ ତା ସଙ୍ଗେ ଯେଉଁ ବଇଦଟା ଅଛି ସଙ୍ଗେ ସଙ୍ଗେ ଭଲ କରିଦେଲା, ଆଉ ରାମା ତ ନାଚିଉଠି ଛାମୁ ସଙ୍ଗେ ଲଢ଼ିଲା । ବର୍ତ୍ତମାନ ଛାମୁ ବିଶ୍ରାମାନ୍ତେ ଦ୍ୱିଗୁଣବଳରେ ଲଢ଼ି ପାରିବେ-ମୁଁ ରଥ ଚଳାଇଲି ।
ରାବ ।- (ସଦର୍ପେ) ସେ ଲେଙ୍ଗୁଟିଆ ରାମାର ଗାଲଟିପି ଦେଲେ ଦୁଧ ବାହାରିବ-ସେ ଆମ୍ଭଙ୍କୁ ଲଢ଼ାଇରେ ଜିଣିଯିବ ! -ଆଜି ଯେବେ ତାକୁ ମାରି ତାର ରକ୍ତ ପିଇ (ଦାନ୍ତ କଡ଼ମଡ଼ କରି) ହାଡ଼ ଗୋଡ଼ କଡ଼ମଡ଼ କରି ଚୋବାଇ ନ ଯାଉଛୁଁ ତେବେ ଆମ୍ଭେ ବୀର ନୋହୁଁ । -ଉଠ ସେନାଏ, ସିଂହନାଦ କରି ଶତ୍ରୁବିନାଶ କର !
ରାକ୍ଷସସେନା ।- (ଉଠି ଘୋରରାବରେ ଲମ୍ଫ ପ୍ରଦାନ କରି) ଜୟ ରାକ୍ଷସେନ୍ଦ୍ର ରାବଣେଶ୍ୱରଙ୍କ ଜୟ !
(ଲମ୍ଫ ପ୍ରଦାନପୂର୍ବକ ରାକ୍ଷସସୈନିକଙ୍କର ବେଗେ ପ୍ରସ୍ଥାନ ଓ ତତ୍ପଶ୍ଚାତ୍ ରଥ ପରିଚାଳିତ ।)
ପଟପରିବର୍ତ୍ତନ ।
[ ରଥାରୁଢ ରାମଚନ୍ଦ୍ର, ଓ ମାତଳ ଉପସ୍ଥିତ । ଚତୁର୍ଦ୍ଦିଗରେ ଲକ୍ଷଣ, ସୁଗ୍ରୀବ, ହନୁମାନ, ବିଭୀଷଣ, ଅଙ୍ଗଦ, ଜାମ୍ବବାନ୍, ନଳ, ନୀଳ ପ୍ରଭୃତି ସେନାପତି ଓ ସେନା ଦଣ୍ଡାୟମାନ । ]
ରାମ ।- ମୁଁ ରଥ ଆଉ ଧନୁ ଓ ଅସ୍ତ୍ରାଦି ହେତୁ ଇନ୍ଦ୍ରଦେବଙ୍କ ନିକଟରେ ଚିରକୃତଜ୍ଞ । ବିଶେଷତଃ ତୁମ୍ଭର ରଥଚାଳନାକୁ ପଟାନ୍ତର ନାହିଁ ! ରାବଣ ଅଚେତନ ହେବାରୁ ତାର ସାରଥି ବୁଦ୍ଧିମାନର କାର୍ଯ୍ୟ କରି ରଥ ଲେଉଟାଇ ନେଲା-ନୋହିଲେ ଏ ସେନାଙ୍କ ବଳବୀର୍ଯ୍ୟରେ ତାର ପ୍ରାଣ ନ ଥାନ୍ତା !
ମାତ ।- ଆପଣଙ୍କ ଧନୁଶ୍ଚାଳନ ଆଗରେ ରାବଣ ଠିଆ ହୋଇ ନ ପାରେ । ତଥାପି ରାବଣର ଶକ୍ତି ଊଣା ନୁହେ-ତାର ଦେହ ଲହୁଲୁହାଣ ହୋଇଗଲେ ବି ହଟୁ ନ ଥିଲା । ଆପଣଙ୍କ କାଣ୍ଡ ସଙ୍ଗେ ସଙ୍ଗେ ସେନାଙ୍କ ପଥର ତା ଛାତିରେ ପଡ଼ିବାରୁ ସେ ମୁଣ୍ଡ ବୁଲାଇ ବସିପଡ଼ି ଅଜ୍ଞାନ ହୋଇଗଲା !
ବିଭୀ ।- ଏଥର ସେ ମରିବାର ଚିହ୍ନ ଦେଖାଗଲା । (ରାମକୁ ଦେଖାଇ) ବୟସ୍ୟ ! ତାର ଛାତିରେ ମୃତ୍ୟୁର ନିଦାନ ଅଛି ।- ଜୀବନଯାକ ଯେତେ ପାପକାର୍ଯ୍ୟ କରିଛି ଛାଥି ଫାଟି ମରିବାହିଁ ତହିଁର ଉପଯୁକ୍ତଶାସ୍ତି ।
ହନୁ ।- ଛାତିଫାଟି ମରିବା ତ ଉଚିତ । ସେ ପାପିଷ୍ଠର ମୁଣ୍ଡ କାଟି ପକାଇବା କର୍ତ୍ତବ୍ୟ ସେ ମୁହଁରେ ଯେତେ ସେ ଜାନକୀଙ୍କି କଟୁକଥା କହିଛି-ଯେତେ ଆମ୍ଭମାନଙ୍କର ନିନ୍ଦା କରିଛି ସେ ମୁହଁ କାଟି ତଳେ ପକାଇଲେ ବି ମୋର ମନର ଆଶା ମେଣ୍ଟିବ ନାହିଁ ।
ବିଭୀ ।- ତା ସତ ମାତ୍ର ତାର ମୁଣ୍ଡ କଟାହୋଇ ପାରିବ ନାହିଁ । ସେ ଯେଉଁ ଅଭେଦ୍ୟ କବଚ ବ୍ୟବହାର କରେ ତହିଁରେ ମୁଣ୍ଡ ସହଜ ନୁହେ-କାଟିଦେଲେ ତତ୍କ୍ଷଣାତ୍ ଆଉ ଗୋଟିଏ ମୁଣ୍ଡ ବାହାରିଲା ପରି ଜଣାଯିବ ।
ସୁଗ୍ରୀ ।- ଯେତେ ବାଣ ତାର କପାଳରେ ବାଜିଲା ଆଉ କେହି ହୋଇଥିଲେ ଲେଉଟି ପଡ଼ିଥାନ୍ତା ମାତ୍ର ରାବଣର ତହିଁକି ଖାତର ନ ଥିବା ଦେଖାଗଲା ।- ପାପିର ଛାତି ସଦାବେଳେ ଥରେ-ସବୁବେଳେ ପାପଚିନ୍ତାରେ ଚମକି ଉଠୁଥାଏ।- ଆଉ ଏ ପାପିଷ୍ଠର ହୃଦୟରେ ସନ୍ସାନ୍ ବାଣ ଆଉ ଦୁମ୍ଦାମ୍ ପଥର ପଡ଼ିବାରୁ ପାପିଷ୍ଠ ଅଜ୍ଞାନ ହୋଇଗଲା।
ଅଙ୍ଗ ।- ଚୋର ଘରେ କି ନିତି ଆଲୁଅ ଜଳେ ? -ଆଜି ଆଉ ତାହାର ରକ୍ଷା ନାହିଁ ।- ତାର ନିଦାନ ଜାଣି ଆମ୍ଭମାନେ ଆହୁରି ଚଞ୍ଚଳ ହୋଇଛୁଁ ।
ରାମ ।- ଦେଖ, ରାବଣ ସମର୍ଥ ବୀର-କେବଳ ପାପାଚାର ହେତୁ ସେ କଳଙ୍କ ଭିଆଇ ମୃତ୍ୟୁ ପଥରେ ଉପସ୍ଥିତ । ଶତ୍ରୁ ଯେଡ଼େ ସାନ ହେଲେ ବି ତାକୁ କେବେହେଁ କ୍ଷୁଦ୍ର ବିବେଚନା କରି ଆଗ ମାଡ଼ିବ ନାହିଁ । ସମସ୍ତେ ଆପଣାକୁ ଆପେ ଦମ୍ଭ କରି ଖୁବ୍ ବୀରଦର୍ପରେ ଲଢ଼ ।- ସେ ମରି ନାହିଁ, କ୍ଷଣିକ ଅଚେତନ ହୋଇ ପଡ଼ିବାରୁ ତାର ସାରଥି ଖୁବ୍ ହୁସିଆର କରି ରଥ ଫେରାଇ ନେଇଗଲା ମାତ୍ର ରାବଣ ଯେରୂପ ଅହଙ୍କାରୀ ଆଉ ଯେରୂପ ପାପପଙ୍କରେ ବୁଡ଼ି ବୁଦ୍ଧି ବିବେଚନା ହରାଇଛି ସେ ଜ୍ଞାନ ପାଇଲାକ୍ଷଣି ପୁଣି ଦଉଡ଼ି ଆସିବ । ଏତିକିବେଳେ ତୁମ୍ଭେମାନେ ସମସ୍ତେ ଟିକିଏ ବିଶ୍ରାମ କରି ଘୋର ଯୁଦ୍ଧ ସକାଶେ ବଳ ସଞ୍ଚି ରଖ-ସାରଥି ଓ ଘୋଡ଼ାମାନେ ଟିକିଏ ବିଶ୍ରାମ କରନ୍ତୁ, ଧର୍ମ ଥିଲେ ଆମ୍ଭମାନଙ୍କର ଜୟ ନିଶ୍ଚୟ । ଜଗଦୀଶ୍ୱର ଧାର୍ମିକର ସର୍ବଦା ସହାୟ । ଧର୍ମୋ ରକ୍ଷତି ଧାର୍ମିକଂ । ଯଦି ଆମ୍ଭମାନଙ୍କର ଧର୍ମ ଥିବ ରାବଣ ପରି ସହସ୍ର ରାକ୍ଷସ ଆସିଲେ ସୁଦ୍ଧା ଆମ୍ଭମାନଙ୍କର କିଛି କରିପାରିବ ନାହିଁ । ଜଗଦୀଶ୍ୱରଙ୍କୁ ମନରେ ରଖି ସବୁବେଳେ କାର୍ଯ୍ୟ କରିବା । ତୁମ୍ଭେମାନେ ସମସ୍ତେ ଏକମନରେ ଈଶ୍ୱରଙ୍କୁ ଧ୍ୟାନ କରି ବସ-ମୁଁ ଉପାସନା କରେଁ । ଈଶ୍ୱର ସହାୟ ନ ହେଲେ ବଡ଼ ଶତ୍ରୁ ଆୟତ୍ତ କରିବା କଠିନ ।
ଲକ୍ଷ୍ମଣ, ସୁଗ୍ରୀବାଦି ସମସ୍ତେ ।- ତଥାସ୍ତୁ ! (ଏକଧ୍ୟାନରେ ସମସ୍ତେ ଉପବିଷ୍ଟ ।)
ରାମ ।- (କରଯୋଡ଼େ) ହେ ସର୍ବଦେବାତ୍ମକ ତେଜୋମୟ ଦେବ ସବିତଃ ! ଆପଣ ଜ୍ଞାନରଶ୍ମିଦ୍ୱାରା ନିଖିଳ ଲୋକର ପ୍ରକାଶ ଓ ଦେବାସୁର ସମସ୍ତ ଲୋକମାନଙ୍କୁ ରକ୍ଷା କରୁଛନ୍ତି । ଆପଣ ଅଖିଳ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକାରୀ ବିଷ୍ଣୁ ଓ ସଂହାରକ ଶିବ । ଆପଣ ଇନ୍ଦ୍ରିୟଶକ୍ତିର ପରିଚାଳନ ରୂପ ସ୍କନ୍ଦ ଆଉ ସମସ୍ତଙ୍କର ଅଧୀଶ୍ୱର ପ୍ରଜାପତି; ଆପଣ ମହେନ୍ଦ୍ର, ଆପଣ ଧନଦ, ଆପଣ ବୁଦ୍ଧି ବୃତ୍ତିର କାର୍ଯ୍ୟସଞ୍ଚାଳକ କାଳ ଓ ସର୍ବନିୟାମକ ସର୍ବାନ୍ତର୍ଯ୍ୟାମୀ ଯମ । ଆପଣ ଅମୃତ ବିତରଣକାରୀ ସୋମ ଏବଂ ଜଳପତି ! ଆପଣ ସକଳପ୍ରକାର ବାନପ୍ରଦ ପିତା ! ଆପଣ ସକଳ ଧନର ଆକର ବସୁ ! ଆପଣ ଯୋଗିମାନଙ୍କ ସାଧନାଭୂତ ସାଧ୍ୟ, ଲୋକଙ୍କର ରୋଗ ଆରୋଗ୍ୟକାରୀ ଅଶ୍ୱିନୀକୁମାର, ଜୀବସମୂହର ପ୍ରାଣସ୍ୱରୂପ ମରୁତ୍ ଆଉ ସର୍ବଜ୍ଞ ମନୁ । ଆପଣ ବାୟୁ, ଆପଣ ବହ୍ନି, ଆପଣ ପ୍ରଜା, ଆପଣ ପ୍ରାଣ, ଆପଣ ୠତୁକର୍ତ୍ତା, ଆପଣ ପ୍ରଭାକର, ଆପଣ ଆଦିତ୍ୟ, ଆପଣ ସବିତା । ଆପଣ ସକଳଲୋକଙ୍କୁ କର୍ମରେ ନିଯୁକ୍ତ କରନ୍ତି ବୋଲି ସୂର୍ଯ୍ୟ । ଆପଣ ପରିଦୃଶ୍ୟମାନ ଆକାଶ ଓ ସମସ୍ତଙ୍କ ହୃଦୟାକାଶରେ ବିରାଜିତ ଥାନ୍ତି ବୋଲି ଖଗ । ଆପଣ ଜୀବ-ନିର୍ବାହର ପୋଷଣକାରୀ ପୂଷା । ଆପଣ ଐଶର୍ଯ୍ୟଶାଳି ଲକ୍ଷ୍ମୀ-ଆଶ୍ରିତ ଗଭସ୍ତିମାନ୍ । ଆପଣ ଲୋକପ୍ରକାଶକ ଭାନୁ । ଆପଣ ହିରଣ୍ୟରେତା; ଆପଣ ଅପବର୍ଗାଦି ପରମାନନ୍ଦପ୍ରଦ ଶମ୍ଭୁ, ଭକ୍ତମାନଙ୍କର ଜନ୍ମ- ମୃତ୍ୟୁ- କ୍ଲେଶ- ନିବାରକ-ତ୍ୱଷ୍ଟା ଆଉ ପ୍ରଳୟ ପରେ ପୁନର୍ବାର ସଂସାର-ଉଜ୍ଜୀବକ ମାର୍ତ୍ତଣ୍ଡ । ବିଶ୍ୱ ବ୍ୟାପି ରହିଅଛନ୍ତି ବୋଲି ଆପଣ ଅଂଶୁମାନ୍ । ଆପଣ ହିରଣ୍ୟଗର୍ଭ । ତ୍ରିତାପତପ୍ତମାନଙ୍କର ବିଶ୍ରାମସ୍ଥଳ ବୋଲି ଆପଣ ଶିଶିର, ସର୍ବେଶ୍ୱର ବୋଲି ତପନ, ସର୍ବପ୍ରକାଶକ ବୋଲି ଅହସ୍କର, ସମସ୍ତଙ୍କର ଉପଦେଶକ ବୋଲି ରବି, କାଳାଗ୍ନି ରୁଦ୍ର ଉତ୍ପାଦକ ବୋଲି ଅଗ୍ନିଗର୍ଭ, ଅବିନାଶିନୀ ବ୍ରହ୍ମବିଦ୍ୟା ସାହାର୍ଯ୍ୟରେ ମିଳନ୍ତି ବୋଲି ଆପଣ ଅଦିତିପୁତ୍ର, ପରମାନନ୍ଦ ଆକାଶସ୍ୱରୂପ ବୋଲି ଶଙ୍ଖ, ଜଡ଼ତା ନାଶ କରନ୍ତି ବୋଲି ଶିଶିରନାଶନ, ଆକାଶର ସୃଷ୍ଟିକର୍ତ୍ତା ବୋଲି ବ୍ୟୋମନାଥ, ଅନ୍ଧାକାର ଦୂର କରନ୍ତି ବୋଲି ତମୋଭେଦୀ । ଆପଣ ଋକ, ଯଜୁ ଆଉ ସାମବେଦର ପ୍ରତପାଦ୍ୟବୋଲି ଋଗ୍ଯୁଜ ସାମ-ପାରଗ ! ମେଘ ଜଳ ବର୍ଷା କଲାପରି ଆପଣ ଲୋକମାନଙ୍କ ସକାଶେ ଅକାତରେ କର୍ମଫଳ ବର୍ଷଣ କରନ୍ତି ବୋଲି ଘନବୃଷ୍ଟି । ଚୈତନ୍ୟ ଦାନଦ୍ୱାରା ଉପକାର ଓ ଜଳ ଉତ୍ପାଦନ କରନ୍ତି ବୋଲି ଆପଣ ଅପାଂମିତ୍ର । ଦୁର୍ଗମବ୍ରହ୍ମନାଡ଼ୀମାର୍ଗରେ ଶୀଘ୍ର ଗମନାଗମନ କରିପାରନ୍ତି ବୋଲି ଆପଣ ବିନ୍ଧ୍ୟାବୀଥିପ୍ଲବଙ୍ଗମ । ଆପଣ ଜଗତ୍ ନିର୍ମାଣର ସଂକଳ୍ପକର୍ତ୍ତା ବୋଲି ଆତପୀ, ମଣ୍ଡଳୀ, ସର୍ବପ୍ରକାର ମୃତ୍ୟୁ ସମ୍ପାଦକ ମୃତ୍ୟୁ, ପିଙ୍ଗଳ ନାଡ଼ୀ ପ୍ରବର୍ତ୍ତନଦ୍ୱାରା କର୍ମପଥପ୍ରବର୍ତ୍ତକ ପିଙ୍ଗଳ, ସର୍ବସଂହାରକ ସର୍ବତାପନ, କାବ୍ୟକର୍ତ୍ତା କବି, ବିଶ୍ୱରୂପୀ ବିଶ୍ୱ; ଆପଣ ମହାତେଜା ! ପାଳନପୂର୍ବକ ସମସ୍ତଙ୍କୁ ଅନୁରକ୍ତ କରନ୍ତି ବୋଲି ଆପଣ ରକ୍ତ, କାର୍ଯ୍ୟସମୂହର ଉତ୍ପତ୍ତର ହେତୁଭୂତ ବୋଲି ସର୍ବଭବୋଭବ । ଆପଣ ନକ୍ଷତ୍ର ଗ୍ରହ ତାରାମାନଙ୍କର ଅଧିପ ବିଶ୍ୱଭାବନା, ଅନ୍ନାଦି ତେଜପଦାର୍ଥ ମାନଙ୍କର ସ୍ଫୂର୍ତ୍ତିସାଧନ ଚିନ୍ମୟ ତେଜ ସ୍ୱରୂପ ବୋଲି ତେଜସ୍ତେଜସ୍ୱୀ । ଆପଣ ଦ୍ୱାଦଶ ପ୍ରକାରରେ ଜଣାଯାନ୍ତି;-ହେ ଦ୍ୱାଦଶାର୍ମନ୍ । ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ପୂର୍ବଗିରି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ପଶ୍ଚିମାଦ୍ରି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ଆପଣ ଜ୍ୟୋତିର୍ଗଣାଧିପତି ଓ ଦିନାଧିପତି-ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ସମସ୍ତଙ୍କର ଜୟପ୍ରଦ ବୋଲି ଆପଣ ଜୟ ! ଜୟଲାଭ୍ୟ ମଙ୍ଗଳାର୍ମକ ବୋଲି ଜୟଭଦ୍ର ! ଆପଣ ହର୍ଯ୍ୟଶ୍ୱ ଆପଣଙ୍କୁ ନମସ୍କାର । (ନମସ୍କାର କରଣ) । ହେ ସହସ୍ରାଂଶୋ ! ନମୋ ନମଃ (ନମସ୍କାର କରଣ । ହେ ଆଦିତ୍ୟ ! ନମୋନମଃ (ନମସ୍କାର କରଣ) । ହେ ଉଗ୍ର ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) ! ହେ ବୀର ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ସାରଙ୍ଗ ! ନମୋ ନମଃ (ନମସ୍କାର କରଣ) । ହେ ପଦ୍ମପ୍ରବୋଧ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ପ୍ରଚଣ୍ଡ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ବ୍ରହ୍ମେଶାନାଚ୍ୟୁତେଶ ! ହେ ସ୍ୱର ! ହେ ଆଦିତ୍ୟବର୍ଚ୍ଚା ! ହେ ଚେତନ ଅଚେତନ ସର୍ବପ୍ରକାଶକ ଭାସ୍ମାନ୍ ! ହେ ସର୍ବ ସଂହାରକ ସର୍ବଭକ୍ଷ ! ହେ ଅଜ୍ଞାନ-ସଂହାରସମର୍ଥ ଜ୍ଞାନମୟ ରୌଦ୍ରବପୁ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ତମେଘ୍ନେ ! ହେ ହିମଘ୍ନ ! ହେ ଶତ୍ରୁଘ୍ନ ହେ ଆମିତାତ୍ମନ୍ ! ହେ କୃତଘ୍ନଘ୍ନ ! ହେ ଚିଦାନନ୍ଦ-ଜ୍ୟୋତିଃସ୍ୱରୂପ ଦେବଜ୍ୟୋତି ପତେ ! ଆପଣଙ୍କୁ ନମସ୍କାର (ନମସ୍କାର କରଣ) । ହେ ତପ୍ତଚାମୀକରାଭ ! ହେ ହରେ ! ହେ ବିଶ୍ୱକର୍ମନ୍! ହେ ତମୋଭିନିଘ୍ନ ! ହେ ରୁଚେ ! ହେ ଲୋକସାକ୍ଷିନ୍ ! ନମସ୍କାର (ନମସ୍କାର କରଣ) । ଆପଣ ଭୂତ ସଂହାର କରନ୍ତି, ଭୂତ ସୃଜନ କରନ୍ତି-ଆପଣ ପ୍ରଭୁ ! ଆପଣ ତେଜଦ୍ୱାରା ଶୋଷଣ, ନାଶନ ସୃଷ୍ଟିବିଧାନ କରନ୍ତି । ଆପଣ ଅଚେତନରେ ଚେତନ, ଭୂତମାନଙ୍କ ଅନ୍ତର୍ଯ୍ୟାମୀ ଦେବତା । ଆପଣ ସକଳ ଯଜ୍ଞ ! ଆପଣ ସକଳ ଯଜ୍ଞଫଳ । ଜଗତରେ ଲୋକମାନଙ୍କର ଯେତେ କାର୍ଯ୍ୟ ଅଛି ସେ ସମସ୍ତର ପ୍ରଭୁ ଆପଣ ! ଆପଣଙ୍କୁ ବିପଦରେ, କ୍ଲେଶରେ, କାନ୍ତାରରେ ଓ ଭୟରେ ସ୍ମରଣ କରି କେହି ଅବସନ୍ନ ହୋଇନାହିଁ । ମୋର ସହାୟ ଆପଣ-ଆପଣଙ୍କୁ ବାରମ୍ବାର ନମସ୍କାର ! (ବାରମ୍ବାର ନମସ୍କାର କରଣ) । ଓଁ ଶାନ୍ତିଃ ! ଶାନ୍ତିଃ !
ଲକ୍ଷ୍ମଣାଦି ସମସ୍ତେ ।- (କରଯୋଡ଼େ ନମସ୍କାର କରଣ ।)
ରାମ ।- (କାନ ଡେରି) ଅସୁରମାନେ ଲେଉଟି ଆସୁଛନ୍ତି ପରା-କୋଳାହଳ ଶୁବୁଛି ।
ନେପଥ୍ୟେ ।- (ରଣବାଦ୍ୟ ।)
ସୁଗ୍ରୀ ।- ହଁ ଉଠ, ଉଠ-ସାବଧାନ ହୋଇ ସମସ୍ତେ ଅସୁରମାନଙ୍କ ସଙ୍ଗେ ପେଟ ପୂରାଇ ଲଢ଼ି ତାଙ୍କୁ ଗୋଟି ଗୋଟି ଯମପୁରୀକୁ ପଠାଇ ମନର ଆଶା ମେଣ୍ଟାଇ ନିଅ, ଲବେ ଛାଡ଼ିବ ନାହିଁ ।
ଲକ୍ଷ୍ମଣାଦି ସମସ୍ତେ ।- (ଗାତ୍ରୋଥିାନପୂର୍ବକ ରଣୋଦ୍ୟତଭାବେ) ଆଜି ରାବଣର ନିସ୍ତାର ନାହିଁ ।
ସୁଗ୍ରୀ ।- ସମସ୍ତେ ଜୟଧ୍ୱନି କର-(ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !
ଲକ୍ଷ୍ମଣାଦି ସମସ୍ତେ ।- (ଉଚ୍ଚୈଃସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !
ରାମ ।- ମାତଳେ, ଦେଖ-ଶତ୍ରୁ ରକ୍ଷସସେନା ପଛରେ କ୍ରୋଧଭରେ ପୁଣି ରଥ ଚଳାଇ ଏହି ଆଡ଼େ ଆସୁଛି । ଯେପରି ବେଗରେ ରଥ ଚଳାଇ ଆସୁଛି ତହିଁରୁ ଜୀବନର ଆଶା ଛାଡ଼ି ଲଢ଼ିବା ପ୍ରତିଜ୍ଞାରେ ଧାଇଁଥିବା ଜଣାଯାଏ । ତୁମ୍ଭେ ସାବଧାନ ହୋଇ ଶତ୍ରୁଆଡ଼କୁ ରଥ ଚଳାଇ ନିଅ । ପବନ ମେଘକୁ ଘଉଡ଼ି ଦେଲାପରି ମୁଁ ଏହାକୁ ବିନାଶ କରିବି । ତୁମ୍ଭେ ଅସଙ୍କୁଚିତ ଓ ଅବିଚଳିତ ଭାବରେ ସ୍ଥିର ମନ ଓ ସ୍ଥିର ଚକ୍ଷୁରେ ରଥ ଧରି ବେଗରେ ଚଳାଅ । ତୁମ୍ଭେ ସାରଥି-ତୁମ୍ଭଙ୍କୁ ଶିଖାଇବାର କିଛି ନାହିଁ ! ମୁଁ ରଣକାମୀ ହୋଇ ଯୁଦ୍ଧସମୟର କର୍ତ୍ତବ୍ୟ ମନେ କରାଇଦେଲି ।
ମାତ ।- (ରଶ୍ମିସଂଯତ କରି) ସେଥିକି ଆପଣ ନିଶ୍ଚିନ୍ତ ରହନ୍ତୁ-ମୋ ପକ୍ଷରୁ କିଛିମାତ୍ର ତ୍ରୁଟି ହେବ ନାହିଁ । ରାବଣ ମୋତେ ବଳାଇ ଯିବନାହିଁ ।
ଲକ୍ଷ୍ମଣାଦି ସମସ୍ତେ ।- (ପାଟିକରି) ହେଇ ଆସିଲେ ରେ-ଅସୁରେ ଆଇଲେ ! ମାର ମାର !
[ ସିଂହନାଦ କରି ଅସୁରସେନାର ପ୍ରବେଶ ଓ ସିଂହନାଦ କରି ଲକ୍ଷ୍ମଣାଦି ସମସ୍ତେ ଅସୁରସେନାଙ୍କ ସଙ୍ଗେ ଲଢ଼ି ଲଢ଼ି ପ୍ରସ୍ଥିତ ।
ରାମ ।- (ଧନୁଷ୍ଟଙ୍କାର କରି) ଆରେ ପାପିଷ୍ଠ ରାବଣ ! ମୂର୍ଚ୍ଛାରୁ ଉଠି ମୂର୍ଖଙ୍କ ପ୍ରାୟ ପୁଣି ଲଢ଼ିବାକୁ ଧାଇଁଛୁ ।- ସମ୍ଭାଳ ଏ ବାଣ ସବୁ (ବାଣସମୂହ ପ୍ରେରଣ) ।
[ ରଥାରୂଢ଼ ରାବଣର ପ୍ରବେଶ ।
ରାବ ।- (ଦାନ୍ତ କିଡ଼ିମିଡ଼ି କରି) ଆରେ ଲେଙ୍ଗୁଟିଆ ରାମା- (ଧନୁଷ୍ଟଙ୍କାର କରି) ସମ୍ଭାଳ ଏ ବାଣ ସବୁ ! ଆଜି ତୋତେ ମାରି ସୀତାକୁ ଭୋଗ କରିବି । (ବାଣସମୂହ ପ୍ରେରଣ) ।
ରାମ ।- (ଶର ପ୍ରେରଣ କରୁ କରୁ) ରେ ପାପିଷ୍ଠ ।- ରେ ଦୂରାତ୍ମା ରାବଣ ! ତୁ ମୋର ରଥର ଧ୍ୱଜ କାଟିବାକୁ ଅସ୍ତ୍ର ପକାଇଲୁ-ସେ ଅସ୍ତ୍ର କଟିଗଲା । ଏବେ ତୋର ଧ୍ୱଜ ସମ୍ଭାଳ । (ରାବଣରଥର ଧ୍ୱଜା କଟିଯାଇ ତଳେ ପଡ଼ିବା।)
ରାବ ।- (ଘୋର ରାବରେ ଦାନ୍ତ କିଡ଼ିମିଡ଼ି କରି) ଏଥର ତୋର ପ୍ରାଣନେବି ! -ସମ୍ଭାଳ ଏ ଗଦା ପରିଘ୍ର ଚକ୍ର ମୁଷଳ ଶୂଳ ପରଶୁ-ସବୁ ଏକାଠି ଗଲା ।
[ ରାମଚନ୍ଦ୍ରର ବାଣରେ ସବୁ କଟିଯିବା ଓ ଉଭୟେ ପରସ୍ପର ଆଡ଼କୁ ନାନା ଗତିରେ ପରିଚାଳିତ ହେଉଁ ହେଉଁ ନିଷ୍ପ୍ରାନ୍ତ ଓ ପଟପରିବର୍ତ୍ତନ ।
ତୃତୀୟ ଦୃଶ୍ୟ ।- ଶ୍ମଶାନରୂପ ରଣକ୍ଷେତ୍ର ।
[ ଶକୁନି, ଶ୍ୱାନ, ଶୃଗାଳଆଦି ନାନାଶବଭୋଜୀ ପଶୁପକ୍ଷୀ ଚତୁର୍ଦ୍ଦିଗରେ ସମାକୀର୍ଣ୍ଣ ଓ ଯୋଗିନୀମାନଙ୍କର ନାନାବିଧ ନୃତ୍ୟ ସହିତ ଶବାଙ୍ଗ ଭକ୍ଷଣ । ]
୧ମ ଯୋଗି ।- (ହାତଟାଏ ଚୋବାଉ ଚୋବାଉ ସୁରଭଙ୍ଗିରେ) ହାଉଁ ମାଉଁ ଚାଉଁ-ହାତ ଗୋଟାଏ ଖାଉଁ, ଯେତେ ଖାଉଥିଲେ ପେଟ କେବେ ନ ପୁରାଉଁ ।।
୨ୟ ଯୋଗି ।- (ଗୋଡ଼ଟାଏ ଚୋବାଉ ଚୋବାଉ ସୁରଭଙ୍ଗିରେ) ରଡ଼ ମଡ଼ ହାଡ଼-ଦାନ୍ତେ କଡ଼ ମାଡ଼ । ଚାଲିଯାଏ ଗୋଡ଼ ପେଟେ ସୁଡ଼ୁ ସାଡ଼ୁ ସାଡ଼ୁ ।।
୩ୟ ଯୋଗି ।- (ମୁଣ୍ଡଟାଏ ଚୋବାଉ ଚୋବାଉ ସ୍ୱରଭଙ୍ଗିରେ) ରାକ୍ଷସର ମୁଣ୍ଡ-ମିଠା କରେ ତୁଣ୍ଡ । ଦାନ୍ତମୁନେ ଲାଗି ଲାଗି ସୁଖେ ହୋଇଯାଏ ଗୁଣ୍ଡ ।
୪ର୍ଥ ଯୋଗି ।- (ଫଡ଼ିଆଟାଏ ଚୋବାଉ ଚୋବାଉ ସ୍ୱରଭଙ୍ଗିରେ) ଫଡ଼ ଫାଡ଼୍ ଫାଟ୍-ଫଡ଼ିଆ ବିରାଟ । ପେଟେ ପେଟେ ଖାଇଲୁଁଣି ଆନନ୍ଦର ନାଟ ।
୫ମ ଯୋଗି ।- (ମୁଣ୍ଡକଟା ଧଡ଼ଟା ନେଇ ରକ୍ତ ପିଉ ପିଉ ଆନନ୍ଦରେ) ପିଅ ରକ୍ତ ପଣା ଭକ୍ତି ଭାବେ ଛଣା । ଆନନ୍ଦେ ଯୋଗୀନୀକୂଳେ ଦିନ ରାତି ବଣା ।
୬ଷ୍ଠ ଯୋଗି ।- (ଗଣ୍ଡିଟା ଚୋବାଉଁ ଚୋବାଉଁ ସ୍ୱରଭଙ୍ଗିକ୍ରମେ) ପେଟେ ପେଟେ ଖାଇ, ଭୋକ ନ ମରଇ । ଖାଇ ଖାଇ ଥକିଗଲେ ପେଟ ନ ପୂରଇ ।।
୭ମ ଯୋଗି ।- (ଦୁଇହାତରେ ଦୁଇଟା ମୁଣ୍ଡରୁ କାମୁଡ଼େ କାମୁଡ଼େ ନେଇ ସ୍ୱରଭଙ୍ଗିକ୍ରମେ) ସାତ ଦିନ ରାତି-ଗଲାକେଣେ କାଟି । ଲାଗିଥାଉ ରଣ ଖାଅ ଆନନ୍ଦରେ ମାତି ।।
ସମସ୍ତେ ।- (ପରସ୍ପର ମୃତ ଦେହ ଖଣ୍ଡମାନ ଫୋପଡ଼ା ଫୋପଡ଼ି ହେଉଁ ହେଉଁ ହାତ ଧରାଧରି ହୋଇ ନାଚୁ ନାଚୁ
ସାଗରକୁ ପଟାନ୍ତର ଅଛି କି ସଂସାରେ ।
ଆକାଶ ସମାନ କିସ ଅଛି କହ ବାରେ ।।
ରାମ ରାବଣର ରଣେ ନାହିଁ ପଟାନ୍ତର ।
ଉପମା ତାହାକୁ ସେହି ପୃଥିବୀ ମଧ୍ୟର ।।
ଭୀଷଣ ପରାଣ-ନାଟ ଲାଗିଛି ଜଗତେ ।
ନାଟୁଁ ହାଣ କାଟ ଜାତ ନ ଯାଇ ପରତେ ।।
ଦୁହେଁ ଲାଗିଥିଲେ କଳି ଲାଭ ପାଏ ଆନ ।
ନର ରାକ୍ଷସରେ ରଣ ଅପୂର୍ବ ଭିଆଣ ।।
ଖାଅ ପିଅ ନାଚ କୁଦ ଶାଗୁଣା ଶିଆଳ ।
ଖୋଲିଛି କପାଳ ପୂରେ ରାକ୍ଷସଙ୍କ କାଳ ।।
ଖାଅ ପିଅ ନାଚ କୁଦ ବାଦୀ ନାହିଁ କେହି ।
କାହାର ଖାଇବା ଉଣା ନୁହେ କାହା ଦେହି ।।
ଯୋଗିନୀଙ୍କି ଭେଟିଅଛି ଆଜି ଶୁଭଯୋଗ ।
ବହୁକାଳ ପରେ ଏକା ଯୋଗାଯୋଗ ଭୋଗ ।।
ଖାଅ ପିଅ ନାଚ କୁଦ ଖୁନ୍ଦିନିଅ ପେଟ ।
କେବେ ହେବ କେ କହିବ ଆନଯୋଗ ଭେଟ ।।
ଖାଅ ପିଅ ନାଚ କୁଦ ମନ ସୁଖେ ଯେତେ ।
ଯେତେ ଖାଅ ଯେତେ ପିଅ ନିଅ ପୁଣି ତେତେ ।।
ରାକ୍ଷସେ ମରନ୍ତି ତେଣେ ଦେଖ ପଲ ପଲ ।
ମହାଯୋଗ ମହାରଣ ଭଲ ଭଲ ଭଲ ।।
(ନାଚୁ ନାଚୁ ଯୋଗିନୀମାନଙ୍କର ପ୍ରସ୍ଥାନ ଓ ପଟପରବର୍ତ୍ତନ ।)