ବଉଳବେଣୀ

ବଉଳବେଣୀ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ଅସୁନ୍ଦର କେଉଁ ନର ଗୋ !

ଅଳସ-ପଣରେ କାଟି ଦିନରାତି ଦେଖାଏ ରୂପ ସୁନ୍ଦର ଗୋ !

ଫୁଲବଉଳ-ବେଣୀ !

 

ଆସିଅଛ କାହିଁପାଇଁ ଗୋ !

ଆଣିଥିଲ କିସ ଯିବ ଘେନି କିସ ସେଥିକି ଲୋଭ କିପାଇଁ ଗୋ !

ଫୁଃ ବଃ

 

ଇହ ପରେ ଯେଉଁ ଧନ ଗୋ !

ଇତର କଥାରେ ମାତି, ନ ଅରଜୁ ଲୋଡ଼ା ଯେ ମହା ରତନ ଗୋ !

ଫୁଃ ବଃ

 

ଈଶପଦେ ଦେଇ ମନ ଗୋ !

ଈର୍ଷା, ଦ୍ୱେଷ, ରୋଷ ପଛକୁ ପକାଇ କର ଯା, କାର୍ଯ୍ୟସାଧନ ଗୋ !

ଫୁଃ ବଃ

 

ଉଇ ହୁଙ୍କା ଦେଖ ଥରେ ଗୋ !

ଉଜ୍ଜ୍ୱଳ ପ୍ରମାଣ ଥୋଇଛି ‘‘ମିଳନେ, କୀଟ ଛାର କିସ କରେ’’ ଗୋ !

ଫୁଃ ବଃ

 

ଊଣା ନ କର ତୁ ଚିତ୍ତ ଗୋ !

ଊର୍ଦ୍ଧ୍ୱକୁ ଅନାଇଁ ସତକାର୍ଯ୍ୟ କର, ନ ଭାବି ଅଳପ ବିତ୍ତ ଗୋ !

ଫୁଃ ବଃ

 

ୠଣୀ ତୁ ପିତା ମାତାର ଗୋ !

ୠଣ ଏ ଜନମେ ଶୁଝି ନ ପାରିବୁ, ପଦସେବା କର ସାର ଗୋ !

ଫୁଃ ବଃ

ୠକାର ସ୍ୱର ଅଷ୍ଟମେ ଗୋ !

ଋକାର ଦୁଇଟି ଯାଆଁଳା ଭାଇକି ନବମ ଦଶମ ସ୍ଥାନେ ଗୋ !

ଫୁଃ ବଃ

 

ଏଦେଶ ଗୋଟି ମୋହର ଗୋ !

ଏ ଭାବନା ରଖି ଦେଶ ପୁଅ ଝିଅ ଲାଗି ତୁ କରମ କର ଗୋ !

ଫୁଃ ବଃ

 

୧୦

ଐକ-ବାକ୍ୟ ୠଷିଙ୍କର ଗୋ !

ଐହିକ କରମ ଗୋଟି ଗୋଟି ଲେଖେ ଚିତ୍ରଗୁପ୍ତ ପାଞ୍ଜିକର ଗୋ !

ଫୁଃ ବଃ

 

୧୧

ଓଜନ କରେ ସେ ବସି ଗୋ !

ଓଜ ଅଭିମାନ ନ ରଖିବ ତୋର, ପାପ ପୁଣ୍ୟ ଦେବ କଷି ଗୋ !

ଫୁଃ ବଃ

୧୨

ଔଦାସୀନ୍ୟ ଭାବ ଧର ଗୋ !

ଔଷଧ ଏହାକୁ ମଣି ଏ ଜଗତେ, ଦୁଃଖ, ତାପ, ରୋଗୁଁ ତର ଗୋ

ଫୁଃ ବଃ

---

 

କପଟ-ଭରା ସଂସାର ଗୋ !

କରମ ପଛରେ ଷଡ଼ରିପୁ ଥାଇ ଅଶୁଭ କରେ ବିଚାର ଗୋ !

ଫୁଲ ବଉଳବେଣୀ ।

 

ଖଳ ପଣ ତୁ ନ କର ଗୋ !

ଖସିଯିବ ପଦ ପଡ଼ିବୁ କଚାଡ଼ି ରଖିଥିବୁ ଚିତ୍ତେ ଦର ଗୋ !

ଫୁଲ ବଉଳବେଣୀ ।

 

ଗରବଟି ଭୟଙ୍କର ଗୋ !

ଗରଳ ସମାନ ଦହିବ ଜୀବନ, ‘ପତନ’ ତା ଅନୁଚର ଗୋ !

ଫୁଃ ବଃ !

 

ଘର ଥିଲେ ଏ ସଂସାରେ ଗୋ !

ଘଡ଼ି ଘଡ଼ି ଦୁଃଖ, ଦୁଃଖ ପରେ ସୁଖ, ଘଟେ ଯାହା ଲେଖା ଭାଲେ ଗୋ !

ଫୁଃ ବଃ !

 

ନ ମଣିବୁ ନରେ ସାନ ଗୋ !

ନ ଜାଣୁ ତ ଧନ ! କରମ ଲିଖନ ସଦା ନ ଯାଏ ସମାନ ଗୋ !

ଫୁଃ ବଃ !

 

ଚନ୍ଦ୍ରମା ପରି ଗଗନେ ଗୋ !

ଚରାଚରେ ଯେହୁ ସମାନେ ଦେଖଇ ବଡ଼ ବୋଲି ତାଙ୍କୁ ଗଣେ ଗୋ !

ଫୁଃ ବଃ !

 

 

 

ଛଳନା କରିବୁନାହିଁ ଗୋ !

ଛପାଇ ଚଳିବୁ ମନ୍ଦ କଥା ସଦା, ମନେ ଭାବୁ କାହିଁ ପାଇଁ ଗୋ !

ଫୁଃ ବଃ !

 

ଜନମ ଲଭି ସଂସାରେ ଗୋ !

ଜଣକର ହେଲେ ଭଲ ତ ନ କଲୁ, ମନ୍ଦ ପାଞ୍ଚୁ କି ଆଶାରେ ଗୋ

ଫୁଃ ବଃ !

 

ଝଡ଼ ବତାସ ଆସିବ ଗୋ !

ଝଡ଼ି ପଡ଼ିବ ତୋ ସୋହଗର ତନୁ, ନିମିଷେସବୁ ନାଶିବ ଗୋ !

ଫୁଃ ବଃ !

 

୧୦

ନ କହ ଅଜଣା କଥା ଗୋ !

ନ ଜାଣି ଟାକର ଖାଇଯିବୁ ସରି ଘୂରୁଥିବ ପଛେ ମଥା ଗୋ !

ଫୁଃ ବଃ !

୧୧

ଟଳଇ ଜୀବ-ତରଣୀ ଗୋ !

ଟଣାଟଣିକରି କୂଳେ ଲାଗିବାକୁ ଭକତି ଏକା ସରଣୀ ଗୋ !

ଫୁଃ ବଃ !

 

୧୨

ଠସାରେ ମିଛ ନ କହ ଗୋ !

ଠକି ଦେବା କଥା ବଡ଼ ଅସୁନ୍ଦର, ପଛରେ ନିନ୍ଦା ନ ସହ ଗୋ !

ଫୁଃ ବଃ !

 

୧୩

ଡରି ଚଳ ଧରମକୁ ଗୋ !

ଡଗ ଡଗା ପଣ କରି ନ ଲୋଡ଼ିବୁ ଛାଏଁ ଛାଏଁ ସରମକୁ ଗୋ !

ଫୁଃ ବଃ !

 

୧୪

ଢମ ନ କରିବୁ କେବେ ଗୋ !

ଢଳି ନ ପଡ଼ିବୁ ଖୁସାମତ ଶୁଣି, ପଙ୍କେ ନେଇ ମାଡ଼ିଦେବେ ଗୋ !

ଫୁଃ ବଃ !

୧୫

ନ ହୁଅ ଯେସନ ଅନ୍ଧ ଗୋ !

ନ ଜଗି ଢଳିଲେ ପଡ଼ିବୁ ବିକଳେ ଚାରି ପାରୁଶରେ ଛନ୍ଦ ଗୋ !

ଫୁଃ ବଃ !

 

୧୬

ତରକି ଚଳିବୁ ପଥ ଗୋ !

ତରତରକରି ନ କହ, ନ କର, ନ ଭାବି ତୁ ଯଥାଯଥ ଗୋ !

ଫୁଃ ବଃ !

 

୧୭

ଥରଇ ସିନା ପତର ଗୋ !

ଥୟ ଥାଏ ଗଣ୍ଡି ହେଉ ପଛେ ଝଞ୍ଜା, ସ୍ଥିର ମନ ତୋର କର ଗୋ

ଫୁଃ ବଃ !

 

୧୮

ଦୟା ରଖିଥିବୁ ମନେ ଗୋ

ଦରିଦ୍ର ଲୋକଙ୍କୁ ଆବର କରି ତୁ ଯଶ ଅରଜ ଜୀବନେ ଗୋ !

ଫୁଃ ବଃ !

୧୯

ଧନ କେତେ ଦିନ ତୋର ଗୋ !

ଧରି ନ ପାରିବୁ ଖସିଗଲାବେଳେ କେତେକହୁ ମୋର ମୋର ଗୋ !

ଫୁଃ ବଃ !

 

୨୦

ନବ ଜଳଧର ତନୁ ଗୋ !

ନମିଲା ବେଳେ ତୁ ତାଙ୍କ ଶ୍ରୀପୟରେ ବାସନା ତେଜିବୁ ମନୁ ଗୋ !

ଫୁଃ ବଃ !

 

୨୧

ପରଶି କମଳ ବନ ଗୋ !

ପବନ ବୋଲାଏ ବଡ଼ ଜନ, ତଥା ଅନୁସର ସାଧୁଜନ ଗୋ !

ଫୁଃ ବଃ !

 

୨୨

ଫର ଫର ନୁହ ଆଉ ଗୋ !

ଫଳିଥିଲା ତରୁ ନଇଁ ଯାଏ ସଦା ସହି ନାନା ଦୁଃଖଦାଉ ଗୋ !

ଫୁଃ ବଃ !

୨୩

ବଡ଼ ବୋଲି ତୁ ନ ହେଜ ଗୋ !

ବସିଛି ଯେ ରାଜ-ଆସନେ କାଲିକି ଫକିର, ନ ଥିବ ତେଜ ଗୋ !

ଫୁଃ ବଃ !

 

୨୪

ଭବ-ସାଗର ଦୁସ୍ତର ଗୋ !

ଭୟାବହ ଦୁଃଖ-ତାପ-ପାପ-ଶୋକ-ଗିରି ଲୁଚିଛି ବିସ୍ତର ଗୋ !

ଫୁଃ ବଃ !

 

୨୫

ମଥା ଟେକି ଚାଲନାହିଁ ଗୋ !

ମନେ ନ ରଖିଲେ ଫାଟିଯିବ ମଥା କଣ୍ଟା ଖୁଞ୍ଚ ଥିବ କାହିଁ ଗୋ !

ଫୁଃ ବଃ !

 

୨୬

ଯତି-ମତି ଯାଏ ଟଳି ଗୋ !

ଜଗି ନ ପାରିଲେ ଖଣାରେ ପଡ଼ିଲେ ଆଉ ନ ପାରିବୁ ଚଳି ଗୋ !

ଫୁଃ ବଃ !

୨୭

ରମଣୀ କାଞ୍ଚନ ଧନ ଗୋ !

ରସାଇ ମାନବେ ଭୁଲାଏ କପଟେ, ଥୟ ରଖିଥିବୁ ମନ ଗୋ !

ଫୁଃ ବଃ !

 

୨୮

ଲଜ୍ଜା ନାହିଁ ଯାର ମୁଖେ ଗୋ !

ଲଙ୍ଘି ଚଳେ ଗୁରୁଉପଦେଶ ଯେତେ ସୁଖ ମଣି ମରେ ଦୁଃଖେ ଗୋ !

ଫୁଃ ବଃ !

 

୨୯

ବଚନ ମଧୁର ସାର ଗୋ !

ବରଜି ମନରୁ କ୍ରୋଧ ଅହଙ୍କାର, କର ସତ୍ୟ ବ୍ୟବହାର ଗୋ !

ଫୁଃ ବଃ !

 

୩୦

ଶଠତା ଜଟିଳ ମାୟା ଗୋ !

ଶତ-ନାଗସର୍ପ-ବିଷରୁ ଅଧିକ, ଘୃଣିତ ହୁଅଇ କାୟା ଗୋ !

ଫୁଃ ବଃ !

୩୧

ଷଡ଼ ବର୍ଗ ଇଚ୍ଛା କଲେ ଗୋ !

ଷଡ଼ ରିପୁଗଣେ ଦୂରୁ ଜୁହାରିଣ ତଡ଼ିଲେ ମିଳିବ ବଳେ ଗୋ !

ଫୁଃ ବଃ !

 

୩୨

ସଂସର୍ଗ-ଦୋଷରୁ ଜନ ଗୋ !

ସଂଶୟରେ ପଡ଼ି କୁକଥାରେ ଜଡ଼ି, ହୁଅଇ ନିନ୍ଦା-ଭାଜନ ଗୋ !

ଫୁଃ ବଃ !

 

୩୩

ହରି ସର୍ବ, ଘଟେ ପୂରି ଗୋ !

ହରଷେ ଜୀବନ କାଟିନିଅ, ଜୀବେ ନ ଚଳାଅ ହିଂସା ଛୁରୀ-ଗୋ !

ଫୁଃ ବଃ !

 

୩୪

କ୍ଷମାନିଧି ଭବେ ସାର ଗୋ !

କ୍ଷରୁଅଛି ମଣି, ମୁକୁତା ତହିଁରୁ ଗଳେ କରିଥିବୁ ହାର ଗୋ !

ଫୁଲବଉଳବେଣୀ ।