ବରଣଡାଲା

ବରଣଡାଲା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ମୁଁ ଚାହେଁ ପ୍ରଭୁ, ଏକାଟି ଯିବି

ତମରି ଦୟାର ଦୁଆରେ ।

ବେଶୀ ଦିନ ଆଉ; ଜଳିବାକୁ ମନ;-

ବଳୁ ନାହିଁ ଏହି ନିଆଁରେ ।

 

ବିଜନେ ଗୁନ୍ଥିବି କୁସୁମ ମାଳା

ସଜାଇବି ବସି ‘ବରଣ ଡାଲା’

ଏକଲା ନେଇମୁଁ ଲୁଚକାଳି ଖେଳ

ଭେଟିବି ତମକୁ ଅନ୍ଧାରେ ।୧।

 

ଗଲାବେଳେ ଫେରିଚାହେଁ ପଛକୁ ଯେବେ

ଦେଖେଁ ସେହି ରୋଗ ମୋର ରହିଅଛି ତେବେ;

ନିଜର ଲାଜରେ ନିଜେ ମୁଁ ମରେଁ

ଦିନରାତି ଖାଲି ସରମେ ସରେଁ ।

ଏକଲା ତମକୁ ଭେଟିବି ‘‘ଡାଲାଟି’’

କିପରି ଅବା କି ଆଶାରେ ? ।୨।

 

ମୋ ଲାଗି ରହିଛି ଗଗନେ ଗଗନେ ଦୀପ୍ତ ତାରକାରାଜି,

ମୋ ଲାଗି ଉଠୁଛି ପରାଣେ ପରାଣେ ପ୍ରେମ ମୁରଲୀ ବାଜି ।

 

ଫୁଟିଅଛି ମଧୁମିଶା କୁସୁମ କୁଞ୍ଜେ,

ବଢ଼ିଅଛି ମୋ ଲାଗି ଲତିକା ପୁଞ୍ଜେ,

ଗାଉଅଛି ବିହଗ ସଞ୍ଜେ ସଞ୍ଜେ,

ରହିଅଛି ପରବତ ଶାମତନୁ ଆଜି ।୧।

 

ବହୁଅଛି ତଟିନୀ ରଙ୍ଗେ ଭଙ୍ଗେ

ଖେଳୁଅଛି ପବନ ଢଙ୍ଗେ ଢଙ୍ଗେ

ନାଚୁଅଛି ପୁଲକ ଅଙ୍ଗେ ଅଙ୍ଗେ,

ଝରୁଅଛି ପରାଗ ଧରାତଳ ମାଜି ।୨।

 

ନ ଭୁଲିବି ଜୀବନେ ମୁଁ ତମରି ଲାଗି,

ତେମେ ମୋର ମୁଁ ତମର ଥାଉ ମନେଜାଗି,

ତମହିୟା ମୋର ହିୟା ରହିଅଛି ଲାଗି,

ମନମତ ଅଧମେ ରଖିଥାଅ ସାଜି ।

 

ନିଖିଳ ଜଗତ ଲାଗି            ଫୁଟେ ଯେ କୁସୁମ ଦାମ

ସେ ଥାଉ ମୋ ଲାଗି ବୃନ୍ତେ

ଦେଖୁ ତହିଁ ମର ଧାମ ।

ନିଖିଳ ଗଗନେ ତାରା

ଢାଳେ ଯେ କିରଣ ଧାରା;

ସେ ଥାଉ ମୋଲାଗି ଶୁପ୍ତ,

ଲିଭୁ ସେ ଶୁଣି ମୋନାମ ।୧।

 

ଲତିକା ମାଧୁରୀ ଘେରା

ନିକୁଞ୍ଜ କାନନ ମେଳା

ମୋ ପରଶେ ଯାଉଛିଣ୍ଡି,

ନ ଥାଉ ବରନଶାମ ।୨।

 

ନିଖିଳ ଜଗତ ବାସୀ,

ଲାଗି ଯେ ଶରଦ ଶଶି

ଯାଉ ସେ ସାଗର ନୀରେ

ହେଉ ମୋ କରମ ବାମ ।୩।

 

ଦିଅ ମୋତେ ସେ             ସତ୍ୟ ସୁଧାନାମେ,

ଦିଅ ସେହିନାମେ

ସୁଧାନାମେ             ଶାନ୍ତିନାମେ ।

 

ନେତ୍ର ମମ ଶିକ୍ତ ନୀର-ଧାରେ

ଚିତ୍ତ ମମ ପୂର୍ଣ୍ଣ ହାହାକାରେ

ଚିନ୍ତାନାହିଁ ତିଳେ ଯଦି

ଦିଅ ସେହିନାମେ, ସୁଧାନାମେ, ଶାନ୍ତିନାମେ ।୧।

 

ଭଗ୍ନମନେ ପେଶ ବନେ ବନେ

ଗର୍ଭମମ କ୍ଷିପ୍ତ ଅନଶନେ,

ଜଗତ ଦୁଃଖ ଗ୍ରାସୁ ଆସି,

ଦିଅ ସେହିନାମେ, ସୁଧାନାମେ, ଶାନ୍ତିନାମେ ।୨।

 

ବନ୍ଧୁ ମମ ତେଜୁ ମମସଙ୍ଗ

ସ୍ନେହ ମମ ହେଉ ସଦା ଭଙ୍ଗ

କୁସୁମ ମର୍ମଛିନ୍ନ ହେଉ,

ଦିଅ ସେହିନାମେ, ସୁଧାନାମେ, ଶାନ୍ତିନାମେ । ୩

 

ଗଭୀରନିଶି,

ତମସାମିଶି,

ଝରଇ ବାରି ଧାରେ :-

ଝିଲ୍ଲି ତାନେ,

ଝମକେ ଧରା,

ଜମକି ତାଳେ ତାଳେ ।

 

ବୃନ୍ତହୀନ କୁସୁମ ଗୋଟି,            ଅକାଳେ ଧରା ପଡ଼ିଛି ଲୋଟି

ବାସନା-ମଧୁ ଗଲାଣି ତୁଟି

ଗରଜେ ଝଡ଼ମାଳେ ।୧।

କେ’ ସେ ନବ ପଥୁକୀ ଆଗେ

ଚଳାଏ ପଥ କି ଅନୁରାଗେ ?

ପରାଣେ କିବା ଯାତନା ଜାଗେ ?

ମନ କି କଥା ଭାଳେ ? ।୨।

 

ଅଗ୍ରେ ମମ ଦ୍ୱୀପ-ଜନକ

ଜଳଇ ସତେ କି ଝକଝକ ।

କିଏ ହେ ସଖା ଦିଅ ଆଲୋକ ?

ସ୍ମିତ କର ଜାଳେ ? ।୩।

 

ବାଜରେ ସେହି ଗଭୀର ଧ୍ୱନି ଗଗନ ଗରଜନେ

ଚମକି ଉଠ ଦାମିନୀ ଥରେ ବାଦଲଭରା ଘନେ ।।

ତପନଛାୟା ! ଗିରି ବାସିନୀ

ପଲକେ ନବବେଶ ଧାରିଣୀ

ଲତିକା ତରୁ ବନବାସିନୀ,

ଘେରନା ମୋ ନୟନେ ।

 

ପୁଲକ ! ଆସ ହୃଦୟ ଭାସି,

ସୁଦୂରେ ଯାଅ ବିଶାଦରାଶି,

ମିଳନ ଆଶା ! ମଧୁର-ହାସୀ

ଆସ ଗୋ ନବମନେ ।

 

ଆସିବେ ସେହି ସରଗ ବାସୀ,

ନୟନ-ପଥ ତମସା ନାଶି,

ଭାବ-ଲହରୀ ଉଠେ ବିକଶି

କି ଦେବି ଜୀବଧନେ ?

 

ଫୁଟେ ତୁଟେ କେତେ ଫୁଲ କାମିନୀ

ମାନେ ମାନେ ଯାଏ ଝଡ଼ି ମାନିନୀ

ଦୂରବନେ, ଦୀନ ମନେ, ଅଗୋଚରେ, ଅଗୋଚରେ,

କିବା ବୁଝୁ କି ଆଶାରେ-ମଳୟ !

 

ଫୁଟେ ମଧୁ ହାସିନୀ, ତୁହି ପରା ଫୁଲ ପରଶ-ମଣୀ ?

ନବତେଜେ ଭେଟେ ଫୁଲ ଯାମିନୀ ।

ଅଯାଚିତେ ଯାଉ ପାଶେ ଗୁପତ କି ମୋହ ଆଶେ ?

ସେହିମତ ଛୁଅଁ ମୋତେ ମଳୟ ! ଦେଖେଁ ତେଜ ଦାମିନୀ ।

 

କହ ଗିରିଲତା, କହ ଥରେ କଥା କହ କେବେ ଆଉ

ସେ ଆଶା ପୂରିବ ?

କହରେ ଭରତ, ପ୍ରଭାତି ସଙ୍ଗୀତେ, କହ କେବେ ଆଉ

ସେ ଆଶା ପୂରିବ !

 

ଆସିଲେଣି କେତେ କୁସୁମ କାମିନୀ

ଗାଇଲେଣି କେତେ କରୁଣ ରାଗିଣୀ,

କେତେ ସଞ୍ଜତାରା            ତାଳ ସୁଧାଧାରା,

ଆସିଲେ, ଚାଲିଲେ କେବେ ସେ ପୂରିବ ? ।୧।

 

ଆସି ଚାଲିଲେଣି କେତେ ବା ବସନ୍ତ,

ଝଡ଼ିଲେଣି କେତେ କୁସୁମ ଫୁଟନ୍ତ,

ପାହିଲାଣି କେତେ            ପିପାସୀତ ନିଶି,

କହ କେବେ ଆଉ ସେ ଆଶା ତୁଟିବ ? ।୨।

 

କେତେ ଆଜିଗଲା- କେତେ କାଲି ହେଲା

ସେ ଆଜି ସେ କାଲି, କେବେତ ନୋହିଲା;

ଦିନ ଦିନକରି            ବରଷ ବିତିଲା,

କ୍ଷୀଣଧାରା କେବେ ସାଗରେ ମିଶିବ ? ।୩।

 

ଅଥବା ମୋ ଆଶା ଆଶାରେ ରହିବ,

ସେହି କଳାନିଶି ନିଶିରେ ରହିବ,

ସେହି ତେଜ କିବା ତେଜରେ ମିଶିବ;

କେବେ ଆଉ କିଏ ଆଖି ନ ପାଇବ ? ।୪।

 

ଭ୍ରାନ୍ତ ମନ ମମ, କ୍ଳାନ୍ତ ଦିବାନିଶି, ଶ୍ରାନ୍ତ ହେଲେଣି ମୁଁ ଆଶା କରି,

ବୁଝିବି ବୁଝିବି, ସେ ରହସ୍ୟସାର, ଭସାଇ ଦେଲି ମୁଁ ଆଶତରି ।

ଧାଏଁ ମନ କିପାଁ ସୁଦୂର ଦେଶେ

କି ଜାଣି ଗୁପତ କେଉଁ ଆଦେଶେ

ଫେରି ପଡ଼େ ଖସି କିପାଁ ହତାଶେ ? ଅକାରଣେ ଯାଏଁ ମରି ।୧।

 

ଚେତି ଦିଅ ପରାଣେ ମମ

ସପନ ଯା ଭାବେନା କେବେ

ସପନର ତୁଳିକା ଛବି

ହୁଏ ଯାହା ଭାବିଛି ଯେବେ ।

ଚାହେଁ ନା ଯା ଦିଅ କାହିଁକି ? ଦିଅ ଯଦି ନିଅ କାହିଁକି ।

ମନ ମୋର ଦୁଃଖ ପାଇଁକି ? ଭାବି ଭାବି ଯାଏ ସରି ।୨।

 

ଏକି ଥରି ଥରି ତେଜରାଶି ଘନେ ରାଜେ ନା,

ଶଶି ଗଲା କେଉଁ ଦେଶେ କିପାଁ ସାଜେ ନା !

ତରୁଶାଖା ପରେ ପରେ            ଏ କି ତେଜ ଥରେ ଥରେ

ଜୁଳୁଜୁଳା କିପାଁ ଜଳେ କିଛି ବୁଝେନା

କିପାଁ ଶୁ’ ଶୁ’ ତାନେ ଝଡ଼ ଉଠେ ବୀଣା ବାଜେନା ।

 

(ଥରେ)- ମନମୋର ଅଧୀର କିଆଁ କିଛି ମାନେନା-

କାହାଲାଗି ଧାଏଁ ଖରେ କିଛି ଜାଣେନା ?

ଉଠେ ଏହି ତରଙ୍ଗମ            ଥରେ ସ୍ଥିରଜଙ୍ଗମ,

ଥରି ଉଠେ ମନ ମମ କିପାଁବୁଝେନା-

 

ଏକି ସୌଦାମିନୀ ରେଖା ଛୁଟେ, କିଛି ବୁଝେନା-

ଆଜି ଥରେ ଥରେ ଏକି ରୀତି ଏ କି ଛଳନା ?

 

ଘୋର ତମସାଘନ ଦୂର ଆକାଶେ-

ଦିପି ଦିପି ଦିପି ଏକି ଜ୍ୟୋତି ବିକାଶେ ?

 

ଶାନ୍ତ ଗମ୍ଭୀର            କାନନ କନ୍ଦର

ତେଜେ ଉଠେ ଝଲସି ପଲକେ ପଲକେ

ମରୁଦେଶେ ଫୁଟେ ଫୁଲ- ପୁଲକେ ପୁଲକେ ।

ବିଜନେ ବିଜନେ            ବିପିନେ ବିପିନେ

ଛୁଟେ ବାସ ପିପାସିତ ଆଶେ ।୧।

 

ଭ୍ରାନ୍ତ ପଥିକର            ନୟନ ତେଜଧାର

ବରଷା ଚମକିତ-ଦାମିନୀ ଝଟକେ

ବହେ ଧୀର ବାରିଧାରା, ଥରକେ ଥରକେ,

ଜୀବନେ ଜୀବନେ- ଗୋପନେ ଗୋପନେ

ଇପ୍ସିତ ତପ୍ତ ପିୟାସେ ।୨।

 

ମନ୍ତ୍ର-ବଶୀଭୂତ,            ଚିରଦିନ-ଚିନ୍ତିତ;-

ବିଗତ ବୀଣାତାର ବାଜି ଉଠେ ଛନକେ,

ଥରି ଉଠେ ମନସାରା କ୍ଷଣକେ କ୍ଷଣକେ

ସଘନେ ଗୋପନେ,            ଗୋପନେ ସଘନେ

କହେ କିସ ବାନ୍ଧେ ତେଜପାଶେ ।୩।

 

ଆସ, ତପ୍ତ ହୃଦୟ ଲୁପ୍ତ ତାରା-

ସେହିବେଶେ, ଥିଲୁ ତୁ ଯେ ବେଶେଥରେ;

(ମୋର) ସୁପ୍ତ ରୁପ୍ତ ମୁଗ୍ଧନଭେ ।

 

ବହିଛି ମଧୁ ପବନ

ଶୁଭୁଛି ସେ ମଧୁଗାନ

ଦିଶିଛି ମଧୁବଦନ-

(ଯହିଁ) ସାରା ନିଶି, କ୍ଳାନ୍ତଶଶି, ଜୋଛନା ଢାଳେ

ମନ ଆବେଗେ ।୧।

 

ଭୁଲିଛି ଗତଭାବନା

ଲଭିଛି ମନବେଦନା

ମରମ ଭୀମ ଯାତନା;-

(ଆଣେ) ଆଶ ନିତି ପରାଣଭୀତି ଖରଶ୍ୱାସ

ବହଇବେଗେ ।୨।

ଚାହେଁନା ଦେଖିବି ଥରେ

ହାରିବି ହୃଦୟ ଥରେ

ଡାକିବି ସେହି ଆଦରେ,-

(ଖାଲି) ଆଶାରଆଶା, ମନପିୟାସା

(ଏ) ଭଗ୍ନହୃଦେ - ଥାଉଶୁଭେ ।୩।

 

ନିଶିର, ନିବୀଡ଼ ନୀଳ ଘନ ଧାରେ,-

ନୀରବେ ତମରେଖା ପାରେ, ପାରେ,

ସାରେ ସାରେ, ଘନଘନ ପରାଣଭେଦୀ;-

ମଧୁର ତନେ ଭାସି

ଉଠେ ଆଲୋକ ଗାରେ ।

 

ମମ ପରାଣ କୁଟୀର

କିବା ସୁନ୍ଦର !

ଏକି ତାର ଅପରୂପ ବେଶ !

କାନନ ମୂଖରିତ କାହାତାନ ଲାଗି,

ଶେଷେ ଏକି ରହିଛି ଅଶେଷ ?

ମନମମ ଶାନ୍ତି ତେଜେ ଜଳେ ଦପ ଦପ ଥରେ ଥରେ ।

 

ସେହି ସତ୍ୟ, ସେହି ନିତ୍ୟ ସେହି ଶାନ୍ତି ସେହି ଆରାମ,

ସେହି ସୁଖ ସେହି ଦୁଃଖ,

ସେହିତ ଆନନ୍ଦ ଧାମ ।।

 

ସେହିତ ବୈକୁଣ୍ଠ ତାରା

ହୃଦ ଆମୋଦ ଆଲୋକ ଧାରା

ପଦ୍ମ ଚରଣ, ଅଧମ ଶରଣ,

ହୃଦୟ ମୋହନ ପୂତନାମ ।

 

କାନନ ଭେଦୀ, ମଧୁରସ୍ୱରେ,

ଉଠେ ବଂଶୀତାନ

ସେତାନ କୁଞ୍ଜେ, ଲତିକା ପୁଞ୍ଜେ,

ଲେଖାଏ ଶାନ୍ତିନାମ ।

 

ସେତାନ ଶୁପ୍ତ କୁସୁମ ମନ୍ଦେ

ଦୋଳାଏ ଗୁପ୍ତ ମିଳନ ଛନ୍ଦେ,

ଗଗନ ଦୀପ୍ତ କିରଣ ଅଙ୍କେ-

ଦେଖାଏ ଶାନ୍ତି ଧାମ ।

 

ସାଗରନୀରୁଁ ବିଜବତୀରୁଁ

ଉଠିବେ ଢେଉରାଶି

ଫେନୀଳ ପ୍ରଭା କୁସୁମଗଭା

ଲୋଟିବ ଭାସି ଭାସି

 

ସେତାନ ଭରେ; ବିହଗଦଳେ

ଗାଇବେ ମନ୍ଦ୍ର ଗଭୀର-ସ୍ୱରେ,

ସରସ ଫୁଲ, ଉଠିବ ଫୁଟି

ଜାଗିବ ଆଶା ଗାନ ।

 

ମମ ମନ, ଧନ, ଆଜି ଅର୍ପିଲି ପୟରେ;

ରଚିତଏ କୁସୁମିତ ହାରେ ।୦।

 

ଚନ୍ଦନ-ଚିତ୍ର-ସୁମଞ୍ଜୁଳ ପୟରେ

ଚର୍ଚ୍ଚିତ କୁଙ୍କୁମ-ବିନ୍ଦୁ

କମ୍ପିତ ଛନ ଛନ, ନିରତ ନେତ୍ରମମ,

ଉଜ୍ଜ୍ୱଳେ ମମ ଜୀବ-ସିନ୍ଧୁ ।

 

ନିଶିଦିନ ତୁମେ ମୋର

ଚିରଦିନ ସେହି ତୁମେ ମୋର,

ସୁଖେ ଅବା ଦୁଃଖ ଭାରେ;

ମଙ୍ଗଳ ମୟତବ, କଳ୍ପିତ-ବାଞ୍ଛା, ସିଞ୍ଚିତ ନିତ୍ୟ ସୁଧାରେ

ନିଶିର ତିମିର, ଶିଶିର ଭେଦି ଦିଅ ଦରଶନ ବାରେ ।୧।

 

ବନ୍ଦନ ହେ ! ମମ ଜୀବଗତ ଚରଣେ

ଶତ ଶତ ଦେବ ଶୀର ବନ୍ଦେ

ନନ୍ଦିତ, କର ବାରେ, ନିନ୍ଦିତ ହିୟା ମୋର

ତବ ତେଜେ କୋଟି ଶଶି ନିନ୍ଦେ,

 

ସ୍ପନ୍ଦିତ ଆଖି ମୋର ଆଜି

ରଖି ଅଛି ନୀରଧାରେ ସାଜି

ଜାହ୍ନବୀ-ଯମୁନା-ବିଧୌତ ପୟରେ ଭସାଇବି ଆଜି ସେହି ଧାରେ

ଛଳନା କରନା କରୁଣା,-କର ! ତବ ନାମ ପାପୀ ତାରେ ।୨।

 

ଆଖିର ପଲକେ             କି ତେଜ ଝଲକେ

ଦେଖିଲି ଏ ରୂପ ସାର

ଦେଖିଥିଲି ଯେତେ             ମୋହନ ମାଧୁରୀ

ଏରୂପତ ହେଲା ହାର ।

 

ଭୁଲିଥିଲି ତେମେ ଏକା ‘ରୂପସୀର’

ଭୁଲିଥିଲି ତେମେ ଏକା ‘ମଣିହାର’

ତେମେତ ଆଗତ            ତେମେ ଏକା ଗତ

ଆଉ ସବୁ କଥା ଛାର ।୧।

 

ଚିହ୍ନିଛି ଚିହ୍ନିଛି, ଭାବିଥିଲି ମନେ, ଆଶା କଳପନେ କେବେ

ମରମର ଚିର- ପ୍ରେମିକଭରତ ଦେଖିଲି ନୟନେ ଏବେ,

 

ଆଶା-ଲତିକାରେ ଗୋଲାପ ଫୁଲଟି

ଆଶା-ନୀଳ ଅମ୍ବୂ ସୁଦୁର-କୂଳଟି

ଗୁପତ-ଭେଦର             ଗୁପତ-ମୂଳଟି

ଆଉ ସବୁ ସିନା ଛାର ।୨।

 

ଦୂରେ ଦୂରେ କେବେ ପାଶରେ ମୋହର ଡାକୁଛ ପରାଣ ବନ୍ଧୁ ।

ଝର ଝର ଝରେ ଖରବାରିଧାରା- ଉଛୁଳେ ଗୁପତ ସିନ୍ଧୁ ।

ମନକରେ ଯାଇ ଧରିବି ଥରେ

ଯିବାବେଳେ ମୋର ହୃଦୟ ଥରେ

କାହିଁକି ?

ଧରା ଦେଇ ତୁମେ ଲୁଚିଯାଅ ପ୍ରେମଇନ୍ଦୁ ? ।୧।

 

ଘର କୋଣେ ସେହିଛବିଟି ଫୁଟେ

ଭାବକୋଣେ ସେହି ରେଖା ଉକୁଟେ

କାହିଁକି ?

ଫୁଟି ଉଠି ପୁଣି ଛପିଯାଅ ତେଜ ବିନ୍ଦୁ ।୨।

 

ଥିଲେତ ଥାଆନ୍ତି ଅନ୍ଧାରେ ପଡ଼ି

ମାନେ ମାନେ ଛାଏଁ ଯାଆନ୍ତି ସଢ଼ି,

କାହିଁକି ?

ଦେଖା ଦେଇ ମାୟା ! ପରାଣକୁ ବେଶୀଛନ୍ଦୁ ? ।୩।

 

ଫୁଟିଛି ମାନସ- ସାଗର ତୀରେ ଗନ୍ଧ-କୁସୁମ ଧାରା

ଜାଣେନା ବନ୍ଧୁ ଜାଣେନା- କାହାର ଏ ସୁଖତାରା !

ନିରାଶା-ତପ୍ତ ବାଲୁକା-ମରୁ

ମଣିବ ଆଶାର କଳପତରୁ

ଯାବତ ସୁଖ; କରୁଣାସିଞ୍ଚା ମଣିବି ଦୁଃଖ ଭାରା ।୧।

ରୋପିବି ମରମେ କୁସୁମ ଲତା

କାନେ କାନେ ତାର କହିବି କଥା

ବିତରିବ ବାସ ଗଗନେ, କାନନେ, ସମାନେ ଭୁବନସାରା ।୨।

 

ସରଗ, ମରତ; ଜଗତ ଲୋକେ ।

ଦେଖିବି ଆଉ ମୁଁ କେବେ ଆଲୋକ ?

ପରଶି ପାରିବି ତେବେ ‘‘ଫୁଲମଣି’’ ହେବି ମୁଁ ଆତ୍ମହରା ।

 

ସ୍ଥାନ ଦିଅ ମୋତେ, ପୂର୍ଣ୍ଣଧୂଳି ପଥେ,

ତରୁ ଲତାତଳେ ଅଜଣା ଧାମରେ

ପଦବୀ ଦିଅ ମୋତେ, ‘‘ମାନବ’’ ବୋଲି

ଖୋଜେନା ଆଉ ଆନ ଦାନରେ

ଚାହେଁନା ଆଉ ଆନ ଦାନରେ ।୦।

 

ଭେଦଜ୍ଞାନେ ଖୋଜେନା ମନେ ଚଳିବି ନିଜ ଇଚ୍ଛା ପଥରେ

ନତ ଥାଉ ସଦା, ଶିର ଗୁରୁଭାରେ, ‘ମୋର’ ବୋଲି ନ ଥାଉ ସଂସାରେ

ନ ଥାଏ ବୁଡ଼ି ଅଭିମାନରେ ।

 

ସମାପ୍ତ ।