(ଏକ)
ଦେବତାର ତଳେ:- ଶାସ୍ତ୍ର-ପୁରାଣ କହେ-ଦେବତାର ତଳେ ମନୁଷ୍ୟର ସ୍ଥାନ । ଏ ମନୁଷ୍ୟ କିଏ-ଏ ମନୁଷ୍ୟ ଅବା କାହିଁ ? ସଚରାଚର ଏପରି ସୃଷ୍ଟି, କୋଟିକରେ ଗୋଟିଏ ମିଳିବା ଦୁଷ୍କର । ଜଟିଳ ଭାରାକ୍ରାନ୍ତ ପୃଥିବୀକୁ କେବେ କେବେ ଏପରି ‘‘ଦେବତାର ତଳେ ମାନବ’’ ଆସିଥାଆନ୍ତି । ନିଜର ସର୍ବସ୍ୱ ତୁଚ୍ଛ କରି, ଜୀବନ ତୁଚ୍ଛକରି ସେହିମାନେ ଜନତାଜନାର୍ଦ୍ଦନର ସେବାରେ ପ୍ରାଣ ଉତ୍ସର୍ଗ କରିଦିଅନ୍ତି । ସେହିମାନେ ପ୍ରମାଣ କରିଦିଅନ୍ତି ଯେ, ଦେବତା କେବଳ ଅମର ନୁହେଁ । ମନୁଷ୍ୟ ମରିବ-ମରେ; କିନ୍ତୁ ତା’ର ବାସ୍ତବ ମନୁଷ୍ୟତ୍ୱ ଅଜର, ଅମର । ଏ ଯୁଗର ‘ଦେବତାର ତଳେ’ ଉତ୍କଳମଣିଙ୍କ ଜୀବନର ଗୋଟିଏ ସତ୍ୟ ଘଟଣା ଘେନି ଏହି ନାଟିକାଟି ଲିଖିତ ।
(ଦୁଇ)
ମନ୍ଦିର ପ୍ରବେଶ:- ପତିତପାବନ ଜଗନ୍ନାଥଙ୍କ ଦ୍ୱାରରେ ଜାତି ଅଜାତି, ବଡ଼ ସାନ ବିଚାର ନାହିଁ । ମହାଲକ୍ଷ୍ମୀ ଲୋକମାତା; ସେ ଜଣକର ନୁହନ୍ତି - ଗଣର ଜନନୀ । ତେଣୁ ମାତୃ- ମନ୍ଦିରରେ ପ୍ରତ୍ୟେକର ପ୍ରବେଶାଧିକାର ଅଛି । ଏହି କଥା ପ୍ରତିପାଦନ ଲାଗି ପୁରାଣ କଥାରୁ ଗୃହୀତ କଥାବସ୍ତୁ ଘେନି ନାଟିକାଟି ରଚିତ ।
(ତିନି)
କକା ନାଇଁ:- ନିରକ୍ଷରତା ହେତୁ ବେଳେ ବେଳେ କିପରି ଅଘଟଣ ଘଟଣା ଘଟିପାରେ ; ତାହାରି ଗୋଟିଏ ଚିତ୍ର ।
(ଚାରି)
ଦଳବେହେରା:- ଇଷ୍ଟଇଣ୍ଡିଆ କମ୍ପାନୀ ଅମଳର ଏକ ଲୁପ୍ତପ୍ରାୟ ଇତିହାସ ଏହାର ବିଷୟବସ୍ତୁ । ରୋଡ଼ଙ୍ଗ ବକ୍ସି ଇଂରେଜ ଅତ୍ୟାଚାରର ପ୍ରତିବାଦ କରିଥିଲେ । ବିଦେଶୀ ଶାସନ ତାହାକୁ ‘ପାଇକ-ବିଦ୍ରୋହ’ ଆଖ୍ୟା ଦେଲା । ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ କଥା କହିବାର ଦାବୀକୁ ଇଂରେଜ ‘ମେଳି’ ବୋଲି ରଙ୍ଗ ଦେଇଗଲା । ତା’ପରେ ପୁଣି ସେ ଅତ୍ୟାଚାର, ଦମନଲୀଳା, ସେ ସଂଗୀନ-ମୂନର ଶାସନରେ ଦେଶ ଅତିଷ୍ଠ ହୋଇଉଠିଲା । ଓଡ଼ିଆ ପାଇକର ରକ୍ତ ଆଉ ସହିପାରିଲା ନାହିଁ । ପାଉଁଶତଳି ନିଆଁଝୁଲ ପରି ଗଡ଼ମାଣିତ୍ରୀ ଦଳବେହେରା କଲେ ତା’ର ପ୍ରତିବାଦ । ସେ ଥିଲେ ଦେଶପ୍ରାଣ, ଜନତାର ସେବକ; ଦୁଃଖୀର, ପୀଡ଼ିତର, ଦୀନଦରିଦ୍ରର ଦରଦୀ ବନ୍ଧୁ । ତାଙ୍କର ନିର୍ଭୀକ ଶିର ଉତ୍ସର୍ଗର ଏକ ଅପୂର୍ବ ଆଖ୍ୟାନ ଏକାଙ୍କିକା ରୂପରେ ପରିବେଶିତ ହୋଇଛି ।
(ପାଞ୍ଚ)
ଛତ୍ରପତି:- ଛତ୍ରପତି ଶିବାଜୀଙ୍କର ମହାନୁଭବତା ଏବଂ ଯୁବକ ରଘୁଜୀଙ୍କର ସତ୍ୟନିଷ୍ଠାର ଗୋଟିଏ ଐତିହାସିକ ସତ୍ୟ ଘଟଣାର ଚିତ୍ର । ଭାରତୀୟ ବୀର ଯୁବକର ଗୌରବ ନିଦର୍ଶନ ଘେନି ନାଟିକାଟି ରୂପାୟିତ ।
୧ । ଦେବତାର ତଳେ
୨ । ମନ୍ଦିର ପ୍ରବେଶ
୩ । କକା ନାଇଁ
୪ । ଦଳବେହେରା
୫ । ଛତ୍ରପତି
-କୁଶୀଲବ-
ଗୋପବନ୍ଧୁ – ଉତ୍କଳମଣି
ରଘୁନାଥ ରାୟ – ଉତ୍କଳମଣିଙ୍କ ବନ୍ଧୁ
ଡାକ୍ତର
ପଧାନ
ସାହୁ
ସାମଲ
କେତେ ଜଣ ଗ୍ରାମବାସୀ
ଗୋପାଳ – ପଧାନପୁଅ
ଗୋପାଳୁଣୀ ସ୍ତ୍ରୀ
ଗୋପାଳର ମାଆ
[ଗୋଟିଏ ବରଗଛମୂଳେ ପଥର ତିନିଖଣ୍ଡି ରଖି ଚୁଲିଟିଏ ତିଆରି ହୋଇଛି । ଜଣେ ସ୍ତ୍ରୀଲୋକ ଗୁଡ଼ିଏ ଚାକୁଣ୍ଡା ଶାଗ ଛୁରୀରେ କାଟୁଛି । ଗଛମୂଳେ ଖଣ୍ଡିଏ କନା ପାରିଶୁଆ ଉପରେ ଦଶ ଏଗାର ବର୍ଷର ବାଳକଟିଏ ଶୋଇଛି । ସ୍ତ୍ରୀଲୋକଟି ତାକୁ ତା’ର ପିନ୍ଧା ଶାଢ଼ୀର କାନି ଘୋଡ଼ାଇ ଦେଇଛି । ଦୁହେଁ ମାଆ ଓ ପୁଅ-ପୁଅଟିର ନାଆଁ ଗୋପାଳ ।]
ଗୋପାଳ- ବୋଉ, ଆଉ କେତେ ଦିନ ଏ ଗଛମୂଳେ ଏମିତି ପଡ଼ିଥିବା ମ ? ଉପରୁ ପାଣି ଟୋପେ-ଟୋପେ ପଡ଼ୁଛି । ମତେ ପୁଣି ଜର ଆସିଲାଣି କି କଅଣ ? ଭାରୀ ଶୀତ ହଉଚି ।
(ମାଆ ତା’ ଆଡ଼କୁ ଖାଲି ଟିକିଏ ଚାହିଁଲେ - ଆଖିରୁ ଲୁହ ଗଡ଼ି ପଡ଼ିଲା । କାନିଟାକୁ ଆଉ ଟିକିଏ ଭଲ କରି ତା’ ଦେହରେ ଘୋଡ଼ାଇଦେଲେ ।)
ଗୋପାଳ- ଭାରି ଶୋଷ ହଉଚି ବୋଉ ! ତୋରାଣୀ ଟିକିଏ ପିଅନ୍ତି ।
ମାଆ- ଟିକିଏ ଶୋଇପଡ଼ ଧନ ! ବାପା ଆସନ୍ତୁ । ପିଇବାକୁ ତତେ ଦେବି ।
ଗୋପାଳ- ବାପା କେତେବେଳକୁ ଆସିବେ ? କୁଆଡ଼େ ସେ ଯାଇଛନ୍ତି ?
ମାଆ- (ଅନ୍ୟମନସ୍କଭାବେ, ଲୁହ ପୋଛୁ-ପୋଛୁ) ହଁ... ଆସିବେ......ଯାଇଛନ୍ତି ।
ଗୋପାଳ- ବୋଉ, ଓଃ ! (କାନିଟାଣି ଘୋଡ଼ିହେଲା)
ମାଆ- କଅଣ କହୁଛୁ ବାପା ?
ଗୋପାଳ- ମୋତେ ଫୁଟିଆଣି ପାଣି ଟିକିଏ ହେଲେ ଦେ । ଭାତ କଅଣ ରାନ୍ଧିନାହୁଁ ?
ମାଆ- ନାଇଁରେ ବାପା ! ଭାତ ରାନ୍ଧିବି, ବାପା ଆସିଲେ...
ଗୋପାଳ- କଅଣ ତେବେ କରୁଚୁ ?
ମାଆ- ଶାଗ କାଟୁଚି ପରା; ଭାରି ସୁଆଦିଆ ଶାଗ ତତେ ଦେବି ଯେ । ଟିକିଏ ଶୋଇପଡ଼ ।
ଗୋପାଳ- କି ଶାଗ ସେ ?
ମାଆ- ଅମୃତ-ଶାଗ ରେ ବାପା !
ଗୋପାଳ- ଅମୃତ-ଶାଗ ? ଭାରି ଭଲ ଲାଗୁଥିବ ତେବେ । କାଇଁ, ଆମ ଗାଆଁରେ ତ ତୁ କେବେ ଏମିତି ଶାଗ କରୁନାଇଁ ?
ମାଆ- ନା, ଏ ଶାଗ ଏଇଠି ମିଳେ ।
ଗୋପାଳ- ରାନ୍ଧ୍, ରାନ୍ଧ୍, ଆମେ ଘରକୁ ଗଲାବେଳେ ଏ ଗଛ ନେଇଯିବା; ବାଡ଼ିରେ ରୋଇବା । ଆମେ କୋଉଦିନ ଘରକୁ ଯିବା ବୋଉ ?
ମାଆ- ଯିବା ଯେ । ବାପା ଆସନ୍ତୁ । ତୁ ଟିକିଏ ତୁନିହେଇ ଶୋଇପ’ଡ଼ ।
(ଗୋପାଳର ବାପା ‘ପଧାନ’ ଆସିଲେ)
ପଧାନ- (ଆସି ଚାହିଁରହିଲେ ଗୋପାଳକୁ । ଦୀର୍ଘନିଃଶ୍ୱାସ ପକାଇ) ଭଗବାନ ! ଘରଦ୍ୱାର ଗଲା, ଗାଈଗୋରୁ ଗଲେ, ଧାନଓଳିଆ ଗଲା - ଗଛମୂଳ, ଚାକୁଣ୍ଡା ଶାଗ !
ମାଆ- କିଛି ପାଇଲ ?
ପଧାନ- ନାଃ, ଚାରିଆଡ଼ ତ ଖାଲି ଚିଲିକାମୟ । କାହାକୁ ଦେଖିବି ? କାହାକୁ କହିବି ? ମୁଠାଏ ହେଲେ ଚାଉଳ ମିଳିଲା ନାହିଁ ।
ଗୋପାଳ- ବାପା ଆସିଲେଣି ତ ବୋଉ ! ଏଥର ଭାତ ରାନ୍ଧ୍ । ଆଗ ମୋତେ ଟିକିଏ ଫୁଟିଆଣି ପାଣି ଦେ ।
ପଧାନ- ଓଃ ! ଆଉ ଦେଖିପାରିବି ନାହିଁ ଗୋପାଳ-ବୋଉ ! ଆଉ ଶୁଣିପାରିବି ନାହିଁ । ମୁଠାଟିଏ ଚାଉଳ ହୋଇଥିଲେ ପଥି କରିଥାନ୍ତା ଛୁଆଟା ମୋର । ପାଣି ପବନ । ସେଥେରେ ପୁଣି ଜର ଭର୍ତ୍ତିହେଇଚି ଦେହରେ ! ବାଟରେ ମୋର ତିନିଟା ପୋଖରୀ ହେଇଗଲାଣି । କାହାକୁ କହିବି ? ସମସ୍ତେ ତ ଏକା ଡଙ୍ଗାରେ । କିଏ ମରିପଡ଼ିଚି, କିଏ ଶୁକୁ-ଶୁକୁ ହଉଚି- ଗଛମୂଳେ ବୁଦାତଳେ । ଏ କାଳ ନଈବଢ଼ି ଟିକିଏହେଲେ ଛାଡ଼ିଯାଆନ୍ତା । ଛଅଦିନ ହୋଇଗଲା ତ ପାଣି ଯେମେତେକୁ ସେମେତେ ଫୁଲାଇ ରଖିଛି । ଦେଖ, କଅଣ ହଉଚି । କାଲି ସକାଳଯାଏଁ ତକାଅ । ବହୁତ କୁହାପୋଛା କଲାରୁ କାଠୁଆ ଖଣ୍ଡକରେ ଖବର ନେଇଯାଇଚି, ଦାମିଆ ନାଉରୀ । ରାତି ରାତି ଯିବ ସେ ।
ଗୋପାଳ- ବାପା ! ଆମେ ଘରକୁ କୋଉଦିନ ଯିବା ? ଭାରି ଶୀତ ହଉଚି, ଗଛଉପରୁ ପାଣିଗୁଡ଼ାକ ପଡ଼ୁଛି । ବାଟ ଫିଟିଯିବଣି, ଚାଲ ବାହାରିଯିବା ଘରକୁ । ଆମ କଅଁଳା ବାଛୁରୀଟି କଅଣ ଖାଉଥିବ ? ଚାଲ ଯିବା ବାହାରି ।
ପଧାନ- ଯିବା, ଯିବା ରେ ବାପା ! କହିବି, ଆଜି ରାତିଟା ଯାଉ । ଜଗନ୍ନାଥେ ତ ଏତେବେଳେ କାଠପଥର ହେଇଗଲେଣି । ଆଉ କେଜାଣି ମନିଷ-ଦେବତା ଯେବେ ଗୁହାରି ଶୁଣିବେ ।
ବୋଉ- ଟିକିଏ ପୁଅ ପାଖେ ବସ । ମୁଁ ଶାଗ କେରାକ ଧୋଇଆଣେ । (ପଧାନଙ୍କୁ କହିଲେ)
ଗୋପାଳ- ହଁ ବୋଉ, ଭାତ ବସା । ତୁ ଯା, ମୁଁ ଶୋଇଚି ।
ପଧାନ- ଜର ହୋଇଛି ପରା ବାପା ! ଭାତ ଖାଆନ୍ତି ନାଇଁ । ଏଇ ଶାଗ ଖାଇବୁ । (ସ୍ତ୍ରୀପ୍ରତି) ତୁମେ କେମିତି ଯିବ ? ଛୁଆ କଅଣ ଘୋରିହବ ? ଶାଗ ମତେ ଦିଅ । ଓଃ ! ଫେର୍ ପେଟଟା ମୋଡ଼ିଦେଲାଣି । (ଶାଗ ନେଇଗଲେ କାନି ଫିଟାଇ) ହଁ, ହଁ, ଏ ଲୁଣ ଟିକକ ରଖ । ଦାମିଆ ପାଖରୁ ମାଗି ଆଣିଚି । (ଲୁଣ ଦେଲେ)
ଗୋପାଳ- ବାପା ! ବେଗେ ଆସିବ ।
ପଧାନ- ହଁ, ବାପା ! ମୁଁ ଆସୁଛି ।
(ମାଆ ଉଠିଯାଇ ଶାଗ ନେଇ, ଚାଲିଗଲେ ଗୋପାଳର ମଥା ଆଉଁଷିଲେ)
[ଗୋପବନ୍ଧୁ ଦାସଙ୍କ ଘର । ଶିଶୁ ସନ୍ତାନଟି ତାଙ୍କର ନିତାନ୍ତ ଅସୁସ୍ଥ । ସନ୍ତାନର ମାତା ବସି ତାର ମୁଣ୍ଡ ଆଉଁଷି ଦେଉଛନ୍ତି ।]
ବାଳକ- ବୋଉ, ନନା ?
ବୋଉ- କିଏ ସବୁ ଡାକିଲେ ଯେ ଦାଣ୍ଡକୁ ଯାଇଛନ୍ତି ।
(ପ୍ରବେଶ କଲେ ରଘୁନାଥ ରାଓ ଏବଂ ଜଣେ ଡାକ୍ତର)
ରଘୁ- ଟିକିଏ ଘୁଞ୍ଚିବେ କି, ଡାକ୍ତର ବାବୁ ଆସିଛନ୍ତି ।
(ବୋଉ ଉଠିଗଲେ ଟିକିଏ ଦୂରକୁ)
ରଘୁ- ଆସନ୍ତୁ, ଯେମିତି ଦେଖୁଛନ୍ତି ସେମିତି ପଡ଼ିରହିଛି ଯେ ରହିଛି । ଜର ଜମା କମିବାକୁ ନାହିଁ ।
(ଡାକ୍ତର ଆସି ପରୀକ୍ଷା କଲେ ଛାତି)
ଡାକ୍ତର- ଦେଖି ବାବା, ଜିଭଟା ଦେଖି...ହଁ...ଆଉ ଟିକିଏ (ପିଲାର ଜିଭ ଦେଖି) ବାସ୍...ଥାଉ । (ରଘୁବାବୁଙ୍କ ଆଡ଼କୁ ଚାହିଁ) ଔଷଧଟା ଠିକ୍ ସମୟରେ ଦିଆହେଉଚି ତ ?
(ରଘୁ ବୋଉଙ୍କ ଆଡ଼କୁ ଚାହିଁଲେ)
ବୋଉ- ହୁଁ, ପ୍ରତି ଚାରି ଘଣ୍ଟାରେ ଦଉଚି ।
ଡାକ୍ତର- ଟିକିଏ ଗରମ ଦୁଧ ଆଣନ୍ତୁ ତ । (ବୋଉ ଚାଲିଗଲେ ।)
(ଅନ୍ୟ ଦିଗରୁ ଗୋପବନ୍ଧୁ ବାବୁ ଆସିଲେ)
ଗୋପବନ୍ଧୁ- ଓ, ଡାକ୍ତରବାବୁ ଆସିଛନ୍ତି କି ? କଅଣ ଦେଖିଲେ ?
ଡାକ୍ତର- ନା, ସେଭଳି ବିଶେଷ କିଛି ପରିବର୍ତ୍ତନ ଦେଖାଯାଉ ନାହିଁ ।
ରଘୁ- ଚାହୁଁ ଚାହୁଁ ତ ୯।୧୦ ଦିନ ଆସି ହେଲା । ଗତି ତ ସୁବିଧା ଦେଖାଯାଉ ନାହିଁ- ଜରଟା ଟିକିଏ ଛାଡ଼ିଯାଇ ପୁଣି ହୁଅନ୍ତା ବୋଇଲେ, ସେ ଭିନ୍ନ କଥା ।
ଗୋପବନ୍ଧୁ- ନାଇଁ ରଘୁବାବୁ, ଜର ଛାଡ଼ିଯିବାର ତ ଦେଖୁନାହିଁ କେତେବେଳେ । ତା’ ପରେ ନିତାନ୍ତ ଥଣ୍ଡା ପାଗ । ବର୍ଷା ତ ଅବିଶ୍ରାନ୍ତ ଚାଲିଛି । ଦେଖାଯାଉ, ଈଶ୍ୱରଙ୍କ ଇଚ୍ଛା ।
ଡାକ୍ତର- ମୁଁ ବିଚାରୁଛି ଆଉ ଜଣେ-ଅଧେ ଡାକ୍ତରଙ୍କ ସଙ୍ଗେ ଟିକିଏ ପରାମର୍ଶ କରାଯାଆନ୍ତା ।
ଗୋପବନ୍ଧୁ- ଦେଖନ୍ତୁ, ଆପଣଙ୍କଠାରୁ ମୁଁ ଆଉ ଏ ବିଷୟରେ ବେଶି କଅଣ କହିବି ? ମୁଁ ପୁଣି ଏତିକିବେଳେ ଆଉ ଏକ ଅଡ଼ୁଆରେ ପଡ଼ିଲିଣି ।
ରଘୁ- କଅଣ ?
ଗୋପ- ତଳମାଳଟା ନଈବଢ଼ିରେ ଏକାବେଳେ ଧୋଇଯାଇଛି ! ଲୋକେ ଛୁଆପିଲା ନେଇ, ଘରଦ୍ୱାର ଛାଡ଼ି ପଳାଇ ଆସିଛନ୍ତି । କେତେ ଯେ ଘରଦ୍ୱାର, ଗାଈଗୋରୁ, ମନିଷ ଭାସିଯାଇଛି, ତାର ଠିକଣା ନାହିଁ । ନ ଖାଇ, ନ ପିଇ ଝଡ଼ିବର୍ଷାରେ ଗଛମୂଳେ ପଡ଼ିଛନ୍ତି ଲୋକେ । ସୁବିଧା କିଛି ନାହିଁ ସେମାନଙ୍କୁ ଉଦ୍ଧାର କରିବାକୁ । ସରକାର ବି କିଛି କରିବାକୁ ନାହିଁ । ବର୍ତ୍ତମାନ ଖବର ପାଇଲି । ଯିବାକୁ ହେବ ମତେ ।
ରଘୁ- କିନ୍ତୁ, ପିଲାର ଦେହରେ ଅବସ୍ଥା ଯେ ଏଣେ.....
ଗୋପବନ୍ଧୁ- (ହସି) ଏଠି ଗୋଟିଏ ପିଲା - ତେଣେ ଯେ ଶହଶହ, ହଜାର ହଜାର ୟାଠୁଁ ବେଶି ଦୂରବସ୍ଥାରେ ପଡ଼ିଛନ୍ତି । କଅଣ କରାଯାଏ ? ମନୁଷ୍ୟର କର୍ତ୍ତବ୍ୟ ଯେ ଆଗ । ଗୋଟିକୁ ଚାହିଁବି, ନା କୋଟିକୁ ଚାହିଁବି ? ସେମାନେ ଆକୁଳ ହୋଇ ମୋତେ ଅନାଇଁଛନ୍ତି । ଚୂଡ଼ା, ଚାଉଳ ଆଉ କିଛି ଲୁଗାପଟା ନେଇ ଶୀଘ୍ର ସେମାନଙ୍କ ପାଖେ ନ ପହୁଞ୍ଚିଲେ ପୋକ ମାଛି ପରି ଲୋକେ ମରିଯିବେ । ତାଙ୍କୁ ଡଙ୍ଗାରେ ଆଣି ଗୋଟାଏ କୌଣସି ସ୍ଥାନରେ ଛାଡ଼ି ନଦେଲେ ତ ଆଉ ବଞ୍ଚିପାରିବେ ନାହିଁ ସେମାନେ ।
ଡାକ୍ତର- ସେକଥା ସତ ଯେ । ଏଠି ତ ପୁଣି ପିଲାର ଯତ୍ନ ନେବା ଦରକାର ପଡ଼ୁଛି । ଏ ଟାଇଫଏଡ଼ । ବୋଉ କଅଣ ତାଙ୍କର ଏତେ ସାବଧାନ ହୋଇପାରିବେ ?
ଗୋପବନ୍ଧୁ- (ହସି) ଲୋକ ସାବଧାନ ବା ଅସାବଧାନ ହୋଇ କିଛି କରିପାରେ ଡାକ୍ତରବାବୁ ? ଶୁଣିଲେ ତ ଧୋଇଆ ଗାଆଁଗୁଡ଼ିକର କଥା । ଧରନ୍ତୁ, ସେମାନେ ଖୁବ୍ ସାବଧାନ ହୋଇଥାଆନ୍ତେ, କଅଣ ବା କରିପାରିଥାଆନ୍ତେ ? ମୋର ଗୋଟିଏ ବୋଲି ତ ପିଲା ଏ ରାଜ୍ୟରେ ନାହିଁ-ଏଠି ତ ପୁଣି ସେ ଘରେ ଅଛି, ଚିକିତ୍ସାର ସୁବିଧା ଅଛି । ଆପଣମାନଙ୍କ ପରି ବନ୍ଧୁ ମୋର ଅଛନ୍ତି । ପିଲାର ବୋଉ ଅଛନ୍ତି । ଆଉ ଅଧିକ ମୁଁ ଥାଇ ଅବା କଅଣ କରିବି ?
(ଦୁଧ ନେଇ ବୋଉ ଆସିଲେ)
ହଁ, ଆସିଲେଣି ତ । ସେ କଅଣ ଦୁଧ ?
ବୋଉ- ହଁ, ଡାକ୍ତରବାବୁ କହିଛନ୍ତି ।
ଗୋପବନ୍ଧୁ- ହଉ, ଭଲକଥା । ତୁମେ ଯାହା ହେବ ଏଠି ପିଲାକୁ ଦେଖ । ରଘୁବାବୁ ଅଛନ୍ତି । ମୋତେ ଦି’ଖଣ୍ଡ ଲୁଗା ଚାଦର ଦିଅ ତ। ମୁଁ ଧୋଇଆଖଣ୍ଡକୁ ବାହାରିଯାଏ । ଡଙ୍ଗା ନେଇ ଲୋକ ଆସି ବସିଛି ।
ବୋଉ- ଏଣେ ଯେ ପିଲାର ଅବସ୍ଥା !
ଗୋପବନ୍ଧୁ- ଆମର ତ ଗୋଟିଏ ପିଲା-ତେଣେ ଶହଶହଙ୍କର ଏଇ ଅବସ୍ଥା- ତାଙ୍କ ବାପମାଆ କଅଣ ହେଉଥିବେ, ସେ ପିଲାଏ କଅଣ ହେଉଥିବେ ! ତାଙ୍କର ଚୁଲିଚାଳ ନାହିଁ, ଖାଇବା ପିଇବା ନାହିଁ । ଏଥିରେ ପୁଣି ଲଗାଣ ବର୍ଷା ! ମୁଁ ଗଲେ ତ କିଛି ହେଲେ କରିପାରିବି । ସରକାର ତ ପଥର । ଏଠି ଏମାନେ ସବୁ ଆମର ଅଛନ୍ତି । ହଉ, ତୁମେ ଛୁଆକୁ ଦୁଧ ଖୁଆଅ । ମୁଁ ଏମାନଙ୍କୁ ବଳେଇ ଦେଇ ଆସୁଛି । ଚାଲନ୍ତୁ ରଘୁବାବୁ ! ଡାକ୍ତରବାବୁ ଆସନ୍ତୁ ।
(ନେଇ ଚାଲିଗଲେ)
[ନଦୀଘାଟରେ ତିନିଜଣ ଲୋକ ଠିଆହୋଇଛନ୍ତି । ସମସ୍ତେ ଉଦ୍ଗ୍ରୀବ ହୋଇ ଚାହିଁଛନ୍ତି ନଦୀଆଡ଼କୁ।]
ସାହୁ- ଦାମିଆଁ ସତେରେ ଯାଇଛିଟି ପଧାନେ ?
ପଧାନ- ସେ କଥା ଭଗବାନଙ୍କୁ ଗୋଚର ସିନା ସାହୁ ! ମୁଁ କଅଣ ଆଉ କହିବି ? ତମରିମାନଙ୍କ ଆଗରେ ତ ଯେତେକ ନେହୁରା ହେଲି, କହିଲି, ବୋଇଲି । ଆଉ କଅଣ କରନ୍ତି କହ ? ତେଣିକି ତା ଧରମ, ଆମ କରମ ।
ସାମଲ- ଡଙ୍ଗା ମେଲି ବାହାରିଯିବାର ମୁଁ ଦେଖିଛି । ହେଲେ ଗଲା ନଗଲା କିଏ କହିବ ?
ପଧାନ- ଆରେ ସାମଲପୁଅ !
‘ହୀନକରମା ଯେଣିକି ଯାଏ, ଗମ୍ଭୀର ଲିଙ୍ଗ ଛାଡ଼ି ପଳାଏ ।’ ଦେଖୁନାଉଁ, ଆମ କରମ କିମିତି ଦାଉ-ଦାଉ ଜଳୁଚି ? ହାତ ବଢ଼ାଇଲେ ପରା ଜଳିପୋଡ଼ି ଯାଉଚି ! ୟେ ତ ଦଇବୀମାଡ଼ । କଅଣ ଏକୁଟିଆ ତତେ ନା ମତେ ? ରାଇଜଯାକ ତ ଏକା ଡଙ୍ଗାରେ ବସିଚେ । ‘ସାଉକୁ ବାଲି-ଚୋରକୁ ବାଲି ।’
ସାହୁ- ହଁ, ପଧାନଘର ! ନଥିଲା କଅଣ? ବାଧିକା ପିଲାଟାକୁ ପଥି ଟିକିଏ ଖାଇବାକୁ ମିଳୁନାହିଁ ।
(ଦୂରରୁ ଶୁଭିଲା- ହରିବୋଲ, ହରିବୋଲ)
ପଧାନ- ସାମଲପୁଅ ! ଅନେଇଁଲୁ, ଅନେଇଁଲୁ । ଡଙ୍ଗା ଲାଗିଲା କି ରେ ? ଭାରି ହରିବୋଲ ଶୁଭୁଛି ତ । ଏଇ ବାଙ୍କଟା ବୁଲିଗଲୁ ଟିକିଏ ।
ସାମଲ- ହଉ । (ଦଉଡ଼ିଗଲା)
(ପୁଣି ହରିବୋଲ ଶୁଭିଲା)
ସାହୁ- ଜାଣିଲ ପଧାନେ; ନିଶ୍ଚେ ଆସିଛନ୍ତି । ଆଉ ତକେଇବା କଅଣ ? ଚାଲ ମାଡ଼ିଯିବା ।
ପଧାନ- ହଁ, ସାମଲ ଯିବ- ପୁଣି ଆସିବ । ସେ ଘଡ଼ିଏ ବେଳର କଥା । ‘ବାଜୁ କୋରଡ଼ା- ତୁଟୁ ଧୋକା’ । ଆମର ବାହାରିଯିବା ଚାଲ । ଚଳନ୍ତି-ଦେବତା ସେ । ତାଙ୍କୁ ଦେଖିଲେ ପେଟ ପୂରିଯିବ ହେଲେ !
ସାହୁ- ଏ ଯୁଗକୁ ଦୁଃଖୀ ଗରିବଙ୍କର ସେଇ ଏକା ଜୀଅନ୍ତା ଠାକୁର । ଆପଣା ପେଟ କାଟି ଖୁଆଇବାକୁ ଆଉ ପୁଣି ପୁଅ କିଏ ଅଛି, ଏ ଖଣ୍ଡ ଚକଡ଼ାରେ ? (ଦୁରକୁ ଚାହିଁ) ଚାହିଁଲ ଏଣେ, ଗୁଡ଼ାଏ ଲୋକ ଦିଶୁନାହାନ୍ତି ?
ପଧାନ- କହୁଛି ପରା, ଚାଲ । ଆଉ ଏଣେତେଣେ ଚାହିଁବାକୁ ତର ନାହିଁ ସାହୁ ! ଗଣି ଗଣି ଛଅଦିନ ବିତିଗଲା । ପିଲାଟାର ଦିହରୁ ତାତି ଓହ୍ଲାଇବାକୁ ନାହିଁ । ଛାର୍ ଚାଉଳ ମୁଠାଏରେ ସାହୁପୁଅ ! କାଉଙ୍କୁ ଯାହା ଫିଙ୍ଗିଦଉଥିଲୁଁ- ସେତିକି ଯେବେ ମିଳିଥାଆନ୍ତା, ଢୋକେ ଫୁଟିଆଣି ପାଣି ଛୁଆଟା ମୁହଁରେ ଦେଇଥାଆନ୍ତି । (କାନ୍ଦିଉଠି) ହଇରେ ! ସାଧୁ ପଧାନର କେତେବେଳର ପୁଅ ସେ ! ନ ଖାଇ, ନ ପିଇ ବାପାମାଆ ଯୋଡ଼ାଙ୍କର ଆଖିଆଗରେ ଚାହୁଁ ଚାହୁଁ ତା ଜୀବନଟା ବାହାରିଯିବ ?
ସାହୁ- ଛି, ଛି, ଛି, ଏ ଅମଙ୍ଗଳ କଥାଗୁଡ଼ାକ ମୁହଁକୁ ଆଣନାଇଁ ପଧାନେ ! ଚାଲ ଯିବା । ମୁଠାଏ ଚୁଡ଼ା କି ଚାଉଳ ଯେବେ ଦୈବୀବଳକୁ ଆଣିଥିବେ, ମିଳିଯିବ । ସେଇ ଏତେବେଳେ ଆମର ଲକ୍ଷେ ଟଙ୍କା ।
ପଧାନ- ରହ ରହ । (ସାହୁ ମୁହଁ ମୁଦିଧରି) ସାମଲ ତ କଅଣ ବାହୁଡ଼ି ଆସୁଚି । ହେଇଟି, ହାତ ଦେଖଉଚି-ରହିଥା ବୋଲି । କଅଣ ସତରେ ଆଇଲେ କି ଆଉ ?
(ଦୂରକୁ ଠାରିଲା)
(ସାମଲ ଧଇଁସଇଁ ହୋଇ ଆସିଛି)
ସାହୁ- କଅଣ, କଅଣ ହେଲା ସାମଲେ ? ଆଇଲେ ନାଇଁ ?
ସାମଲ- ଆସିଚନ୍ତି, ଡଙ୍ଗା ଏଇ ଘାଟକୁ ଆସୁଚି । ବାଟରେ ଅଟକାଇ କେତେ ଲୋକଙ୍କୁ ଚୂଡ଼ା, ଚାଉଳ, ନୁଣ, ଗୁଡ଼ ବାଣ୍ଟୁଥିଲେ । ଡଙ୍ଗା କୂଳ ଛାଡ଼ିଲା, ମୁଁ ଆଇଲି । ଉଜାଣିରେ ସୁଅ କାଟି ଆସୁଛି ବୋଲି ଯାହା ଟିକିଏ ଉଛୁର ହେବ, ସେତିକି । ଆଉ କାହିଁକି ମିଛେରେ ଦଉଡ଼ିବ ?
ପଧାନ- (ହାତଯୋଡ଼ି ଉପରକୁ ଚାହିଁ) ହେ ଦଇବୀ-ପୁରୁଷ ! ସତେ ତମେ ଆଖି ମେଲେଇ ଚାହିଁବ ?
(ଆଖି ଲୁହ-ଛଳଛଳ ହୋଇଗଲା ।
ଅନ୍ୟ ଦିଗରୁ ଆସିଛି ରାମଦାସ)
ରାମ- ପଧାନେ, ପଧାନେ ! ତେଣେ ଟିକିଏ ବେଗି ଆସ । ଗୋପାଳବୋଉ ଡାକ ଛାଡ଼ିଚି । ଗୋପାଳର ଚେତା ନାହିଁ । ଡାକିଲେ ଶୁଣୁନାହିଁ । ତମେ ବେଗେ ଆସ ।
ପଧାନେ- ଗୋପାଳର ଚେତା ବୁଡ଼ିଯାଇଚି ? ରାମ ! ତୁ ସତ କହୁଚୁ ? ଆରେ ! ଚେତା କଅଣ ନଈ ଆଉ ରଖିଚି ? ସାମଲ, ମୁଁ ବାହାରିଲି । ଫେରିବି ଯେବେ ମୁଠାଏ ଚାଉଳ ଖାଲି ରଖିଥିବୁ ମୋ ପାଇଁ ମାଗିକରି । କେଜାଣି ଯେବେ ସେ ବାହୁଡ଼ିଆସେ...ପଥି ମୁଠାଏ ରେ- ପଥି ମୁଠାଏ ହେଲେ... ମୁହଁରେ ଖାଲି ଢୋକ ତୋରାଣୀ ମୁନ୍ଦାଏ ପଡ଼ିଥିଲେ ଆଜି ଚେତା ବୁଡ଼ିଯାଇ ନ ଥାନ୍ତା ତା’ର ।
(କାନିରେ ଲୁହ ପୋଛିଲା)
ରାମ- ଆଉ କଥା କହିବାକୁ ତର ନାହିଁ ପଧାନେ ! ଗୋପାଳବୋଉ ମୁଣ୍ଡ ପିଟିହଉଚି । ତୁମେ ବାହାରିଆସ ଆଗ ।
(ଭିଡ଼ିନେଇଗଲା)
ପଧାନ- ସାମଲ ! ମୁଠାଏ ଚାଉଳ । ମନେ ରହିଲାଟି......... (ଯାଉଁ ଯାଉଁ କହି କହି ଗଲା) କେଜାଣି ଯେବେ ଗୋପାଳ ମୋ’ର.....
(ସାମଲ ଲୁହ ପୋଛି ବୋକାପରି ଚାହିଁ ରହିଲା; ଦୂରରୁ ‘ହରିବୋଲ’ ଶବ୍ଦ ନିକଟତର ହେଲା)
[ଗୋପବନ୍ଧୁ ଦାସଙ୍କ ଘର-ପଦଚାରଣ କରୁଥିଲେ ଅଧୀରଭାବେ ରଘୁନାଥ ରାଓ । ଘରଭିତରୁ ଡାକ୍ତର ଆସିଲେ ବିଷର୍ଣ୍ଣ ମୁଖରେ ।]
ରଘୁ- (ଡାକ୍ତରଙ୍କ ହାତ ଧରି ପକାଇ, ଛଳଛଳ ଆଖିରେ ଚାହିଁ) ଡାକ୍ତର ବାବୁ ! ଗୋପବନ୍ଧୁ ଆସି ଦେଖିବେଟି ପିଲା ଭଲ ଅଛି ?
ଡାକ୍ତର- ରଘୁବାବୁ !..... (ନୀରବ)
ରଘୁ- କହନ୍ତୁ ସତ କଥା । ମୁଁ ଆଉ ସ୍ଥିର ରହିପାରୁନାହିଁ । ପିଲା ଦେହ କେମିତି ଦେଖିଲେ ?
ଡାକ୍ତର- (ଦୀର୍ଘନିଃଶ୍ୱାସ ପକାଇ) ବିଶେଷ ଭଲଆଡ଼କୁ ଯାଉଛି ବୋଲି କହିହେବ ନାହିଁ...ଏଇପର୍ଯ୍ୟନ୍ତ।
ରଘୁ- କାଲିଠାରୁ ଆଜିର ଅବସ୍ଥା କିଛି ସୁଧୁରିଛି ଭଲା ?
ଡାକ୍ତର- ନାଇଁ ରଘୁବାବୁ ! ମୁଁ ମୋ ଔଷଧ ଉପରେ ନିର୍ଭର କରୁଥିଲି କାଲି ସୁଦ୍ଧା । ଆଜି କିନ୍ତୁ ଯାହା ଦେଖିଲି (ଉପରକୁ ଠାରି) କେବଳ ଭଗବାନ ଯଦି ପିଲାକୁ ବଞ୍ଚାଇବାକୁ ଚାହାନ୍ତି- ତାହାହେଲେ ଅବା କିଛି ଆଶା କରାଯାଇପାରେ ।
ରଘୁ- (ଚମକିବା ପରି) କଅଣ କହୁଛନ୍ତି !
ଡାକ୍ତର- ବେଶି ଦୁଃଖ ଯେ ଗୋପବନ୍ଧୁ ବାବୁ ଏତେବେଳେ ନାହାନ୍ତି । ସେଦିନ ଏତେକରି ଆମେ କହିଲେ । ସେ ତ ଶୁଣିଲେ ନାହିଁ କାହା କଥା । ଘରେ ପିଲାଟିର ଅବସ୍ଥା ଖରାପ ଦେଖିଲେ, ଶୁଣିଲେ । ତଥାପି ଧୋଇଆ ଅଞ୍ଚଳକୁ ବାହାରି ଗଲେ, ଆମରିମାନଙ୍କ ଉପରେ ନିର୍ଭର କରି । କିନ୍ତୁ ଦେଖୁଛି, ଭଗବାନ ଆମକୁ ତାଙ୍କର ସେ ଅଗାଧ ବିଶ୍ୱାସର ମୂଲ୍ୟ ଦେବାର ସୁଯୋଗ ଆଉ ଦେଉନାହାନ୍ତି ।
ରଘୁ- ମୁଁ କଅଣ କମ ବୁଝାଇଛି ? ଶୁଣିଛନ୍ତି ତ; ଉତ୍ତର ମିଳିଲା- ମୋ ପିଲାଟି ତ ଘରେ ହେଲେ ଅଛି, ଚିକିତ୍ସା ପାଉଛି, ପଥି ମିଳୁଛି ତାକୁ - ଶହ ଶହ ପିଲା ତେଣେ ଅରକ୍ଷ ହୋଇ ପଡ଼ିଥିବେ- ସେ ସବୁ କାହାର ପିଲା ? ଏଇ ଦେଶର ତ- ଆମରି ତ ? ଘର ନାହିଁ - ଦ୍ୱାର ନାହିଁ, ଖାଇବା-ପିନ୍ଧିବାକୁ ନାହିଁ । କାହାର ପୁଣି କିଏ ମରିହଜି ଯାଇଛି । ଚିକିତ୍ସା ତ ମୂଳରୁ ପାଉନାହାନ୍ତି । କହ, ବାରଶ ବଢ଼େଇରେ ଦାୟ- ନା - ପୁଅରେ ଦାୟ ? ତୁମ୍ଭେମାନେ ଅଛ- ଭଗବାନ ଅଛନ୍ତି । ମୁଁ ଥାଇ ଅଧିକ ବା କଅଣ କରିବି ?...
ଡାକ୍ତର- ହଁ, ସେ ତ ମଣିଷ ନୁହନ୍ତି - ଅଭିଶାପ ପାଇ କେହି ଦେବତା ମଣିଷ- ଜନ୍ମ ପାଇଛନ୍ତି । ଛାଡ଼ନ୍ତୁ, ସେସବୁ ଏଇନେ ଭାବିବାର ବେଳ ନୁହେଁ । ମୁଁ ଭାବୁଛି, ଏତେ ଯେ ଆମ ଉପରେ ଆଉ ଭଗବାନଙ୍କ ଉପରେ ନିର୍ଭର କରି ନିଶ୍ଚିନ୍ତ ହୋଇ ସେ ଗଲେ - ହେଲା କଅଣ ? ଆମର ବିଦ୍ୟାବୁଦ୍ଧି ଶେଷ - ବାକି ରହିଲେ ଭଗବାନ ।
(ହଠାତ୍ ଘରଭିତରୁ ବଡ଼ପାଟିରେ କାନ୍ଦଣା ଶୁଣାଗଲା)
ରଘୁବାବୁ ! ଏଇ, ବୋଧହୁଏ ଲିଭିଗଲା ଦୀପ । ଓଃ ! ଭଗବାନ ! କଅଣ ବୋଲି ମାଆକୁ ଆମେ ସାନ୍ତ୍ୱନା ଦେବା ? କଅଣ ଉତ୍ତର ଦେବା ଗୋପବନ୍ଧୁ ବାବୁ ଫେରିଲେ ?
(ଗୋପବନ୍ଧୁ ବାବୁ ଫେରି ଆସିଛନ୍ତି, ତାଙ୍କ ସହିତ ଜଣେ ଦି’ଜଣ କର୍ମୀ ।)
ଗୋପବନ୍ଧୁ- କଅଣ ? କଅଣ ହେଲା ? ଡାକ୍ତରବାବୁ, ରଘୁବାବୁ ଦୁହେଁ ଏମିତି କଅଣ ମୁହଁ ଶୁଖାଇ ଠିଆହୋଇଛ ? କଅଣ ? କଥା କଅଣ ?
ରଘୁ- କହିବାକୁ ମୁହଁରେ କଥା ଆଉ ନାହିଁ ଗୋପବନ୍ଧୁ ବାବୁ ! ଆମେ ଆପଣଙ୍କୁ ନିଶ୍ଚିନ୍ତ କରିପାରିଲୁ ନାହିଁ ।
(କାନ୍ଦି ଉଠିଲେ)
ଗୋପବନ୍ଧୁ- ଓ, ବୁଝିଲି (ଅଳ୍ପ ହସି) ଯାହା ମୋର ନୁହେଁ, ସେ ମୋର ହୁଅନ୍ତା କିପରି ? ଅନେକ ଆସେ - ଅନେକ ଯାଏ । ଏଥିରେ ଦୁଃଖ କରିବାର କଅଣ ଅଛି ? ଦାମୋଦର ପଧାନ- ବେଶ ଥିଲାବାଲା । ଦାଣ୍ଡ ଭିଖାରୀଠାରୁ ହୀନ ହୋଇ ବସିଛି । ସବୁ ଯାଇଥିଲା ତା’ର । ଶେଷକୁ ଗୋଟିଏ ବୋଲି ପୁଅ ଥିଲା । ଗଛମୂଳରେ ପାଣି- ବରଷାରେ ପଡ଼ି- ପଥିମୁଠିକ ଅଭାବରୁ ପିଲାଟି ବି ଚାଲିଗଲା । ଏମିତି କେତେ ତ ଦେଖି ଆସିଲି । ମୋର ବା ଗୋଟିକର କଥା ! (କର୍ମୀଙ୍କୁ ଚାହିଁ) ହଁ, ତୁମ୍ଭେମାନେ ଯାଅ । ଚିଠିଟା ନେଇ ପୁରୀ ବାହାରି ଯାଅ - କିଲଟରଙ୍କୁ ଦିଅ । ତେଣିକି ଦେଖିବା । ଡାକ୍ତର ବାବୁ ! ଚାଲନ୍ତୁ ଘରକୁ । ଭାବୁଛନ୍ତି କଅଣ ଆଉ ? ଯିବାଧନକୁ ଫେରାଇ ଆଣିବାଟା ତ ମନୁଷ୍ୟ ହାତରେ ନାହିଁ । ଆସନ୍ତୁ, ଆସନ୍ତୁ ।
(ଦୁହିଁଙ୍କୁ ଟାଣି ନେଇଗଲେ ଘରକୁ, କର୍ମୀ ଦୁହେଁ ପ୍ରଣାମ କଲେ ଭକ୍ତିରେ ।)
କୁଶୀଲବ
ଜଗନ୍ନାଥ, ବଳଭଦ୍ର, ନାରଦ, ଦ୍ୱାରୀ, ନେତା, ପଣ୍ଡା, ଭିକାରୀ, କେତେକ ନାଗରିକ
ମହାଲକ୍ଷ୍ମୀ
ତୁଳସୀ-ଦାସୀ
ଶ୍ରୀୟା-ହାଡ଼ିଆଣୀ
[ଶ୍ରୀମନ୍ଦିର- ଘଣ୍ଟ ଘଣ୍ଟା ବାଜି ବଡ଼ଠାକୁରଙ୍କ ଆରତି ବଢ଼ୁଥିଲା । ଆରତି ବନ୍ଦ ହେଲା । ଦୂରରୁ ନାରଦଙ୍କର ଗୀତ ଶୁଣାଗଲା; ପରେ ନିକଟବର୍ତ୍ତୀ ହେଲା- ତାଳେ ତାଳେ ବାଦ୍ୟ ବାଜିଲା]
ନାରଦ-
(ଗୀତ)
ବନ୍ଦନ ହେ,
ମନ ଚନ୍ଦନ, ସୁନ୍ଦର, ଭୁବନମୋହନ ଘନଶ୍ୟାମ
ନାରାୟଣ !
ସାଗର-ରାଜ ତନୁଜାରୂପ-ଲୋଭନ
ଶୋଭନ ତନୁ ଅଭିରାମ;
କଞ୍ଜ ଚରଣତଳେ ଜଗଜ୍ଜନ ବନ୍ଦେ
ନନ୍ଦିତ କର ତିନିଧାମ ।
ଯୋଗୀଜନ ମନ ମୋହନ ହେ,
କମକାନ୍ତି ତନୁବର ଶୋଭନ ହେ
ଦୀନବନ୍ଧୁ ହରି, ଶରଣରକ୍ଷଣ ହେ
ପ୍ରଣତି ଘେନ ଗୁଣଧାମ ।
(ନାରଦ ପ୍ରବେଶ କଲେ)
ବଳଭଦ୍ର- ଆସନ୍ତୁ, ଆସନ୍ତୁ ଦେବର୍ଷି ନାରଦ ! ଏତେ ରାତିରେ ଯେ ?
ନାରଦ- ଆଜି ଘରେଘରେ ଲକ୍ଷ୍ମୀପୂଜା, ଆସିଥିଲି ମା’ କମଳାଙ୍କୁ ଦର୍ଶନ କରିଯିବି ବୋଲି ।
ବଳଭଦ୍ର- କମଳା ବୋଧହୁଏ.....
ନାରଦ- ପ୍ରଭୁ ନାରାୟଣ ଜାଣିଥିବେ ନିଶ୍ଚୟ ।
ବଳଭଦ୍ର- ସେ ମଧ୍ୟ ପହୁଡ଼ିଛନ୍ତି ପରା ? (ତିନିଥର ତାଳି ମାରିଲେ)
(ଦ୍ୱାରୀ ବିଜୟ ପ୍ରବେଶ କରି ଅଭିବାଦନ କଲା)
ବିଜୟ- ଆଜ୍ଞା ହେଉ ମଣିମା ।
ବଳଭଦ୍ର- କିଏ ବିଜୟ ? ସାନଠାକୁରଙ୍କ ସମୟ କଅଣ ଟିକିଏ ବୁଝିଆସିଲ । ମହର୍ଷି ନାରଦ ତାଙ୍କ ଅପେକ୍ଷାରେ ଅଛନ୍ତି ।
ବିଜୟ- ଆଜ୍ଞା ମଣିମା !
ନାରଦ- କିନ୍ତୁ ମୁଁ କମଳାଙ୍କ ଦର୍ଶନକୁ ଆସିଥିଲି ପ୍ରଭୁ !
ବଳଭଦ୍ର- ହେଉ, ଖବର ନେଉଛି । ଆପଣ ବସନ୍ତୁ !
(ନେପଥ୍ୟେ କାହାଳି ଶବ୍ଦ)
ବିଜୟ- ସାନଠାକୁରେ ବିଜେ ହେଉଛନ୍ତି ।
(ଜଗନ୍ନାଥ ପ୍ରବେଶ କଲେ)
ନାରଦ- ଜୟୋସ୍ତୁ ଦେବ ନାରାୟଣ !
ଜଗନ୍ନାଥ- (ହସି) ଏତେ ରାତିରେ ଦେବର୍ଷିଙ୍କ ଆଗମନ ? ଅଭିପ୍ରାୟ କିଛି ଅଛି ନିଶ୍ଚୟ ।
ନାରଦ- ନାଃ, ବିଶେଷ କିଛି ନୁହେଁ, ତେବେ ଆଜି ମାଣବସା ଗୁରୁବାର, ଘରେଘରେ ମା’ ଲକ୍ଷ୍ମୀଙ୍କର ପୂଜା । ମନେକଲି ଟିକିଏ ମହାଲକ୍ଷ୍ମୀଙ୍କର ଦର୍ଶନ କରି ଆସେଁ ।
ଜଗନ୍ନାଥ- ସେ ତ ବୋଧହୁଏ ଶ୍ରୀୟା ଘରକୁ ଯାଇଛନ୍ତି । ମନ୍ଦିରରେ ନାହାନ୍ତି ।
ନାରଦ- ନାହାନ୍ତି ? ମା’ ଲକ୍ଷ୍ମୀ ମନ୍ଦିର ଛାଡ଼ି.....
ଜଗନ୍ନାଥ- ଆଜି ପରା ଘରେ ଘରେ ତାଙ୍କର ପୂଜା ? ଶକ୍ତି ଅନୁସାରେ ଫୁଲ, ଚନ୍ଦନ, ନୈବେଦ୍ୟ ଦେଇ ଆଚଣ୍ଡାଳ...
ନାରଦ- ହଁ, ଫୁଲଚନ୍ଦନରେ ନିହାତି ଆପତ୍ତି ନାହିଁ, ତେବେ ଏଇ ନୈବେଦ୍ୟ କଥାଟା...ଶ୍ରୀୟା କିଏ ?
ଜଗନ୍ନାଥ- ଶ୍ରୀୟା ଜଣେ ହାଡ଼ିଆଣୀ !
ନାରଦ- (ଚମକିବାପରି) ହାଡ଼ିଆଣୀଘରେ ମହାଲକ୍ଷ୍ମୀ....
ଜଗନ୍ନାଥ- କାହିଁକି ? ନୈବେଦ୍ୟ-ଗ୍ରହଣରେ ଆପତ୍ତି କଅଣ ?
ନାରଦ- ନା, ଆପତ୍ତି ନଥାନ୍ତା; କିନ୍ତୁ କହିଲେ ନା ଆଚଣ୍ଡାଳ ।
ଜଗନ୍ନାଥ- କଳମା ଜଗନ୍ମାତା । ବିଶ୍ୱସୃଷ୍ଟି ତ ଜାତିବର୍ଣ୍ଣ-ଭେଦ ବିଚାର କରେ ନାହିଁ । ତା ହେଲେ ପ୍ରତ୍ୟେକ ବିଭାଗର ସୃଷ୍ଟି ପାଇଁ- ଗୋଟିଏ ଗୋଟିଏ ଜାତି ଲାଗି- ଅଲଗା ଜଣେ ଜଣେ ବିଧାତାପୁରୁଷ ଆବଶ୍ୟକ ହୁଅନ୍ତେ । ଗୁଡ଼ିଏ ଲକ୍ଷ୍ମୀ, ଗୁଡ଼ିଏ ନାରାୟଣ ମଧ୍ୟ ଆବଶ୍ୟକ ହୁଅନ୍ତେ । ନୁହେ କି ? (ହସିଲେ)
ନାରଦ- ତଥାପି ବ୍ରାହ୍ମଣ, କ୍ଷତ୍ରିୟ, ଶୁଦ୍ର, ଚଣ୍ଡାଳ ତ ପୁଣି ଏ ସୃଷ୍ଟିରେ ଅଛନ୍ତି ? ଏସବୁ ତ ବାରିବାକୁ ହେବ ?
ଜଗନ୍ନାଥ- ସେ ଗୁଣକର୍ମ ପାଇଁ ଗୋଟିଏ ଗୋଟିଏ ବିଭାଗ ମାତ୍ର । ତା’ ନ ଦେଲେ ଯେ ସୃଷ୍ଟି ଅଚଳ ହୁଅନ୍ତା ।
ନାରଦ- ହଉ, ମା’ ଲକ୍ଷ୍ମୀଙ୍କଠାରୁ ମୁଁ ଏ କଥାର ସମାଧାନ କରିନେବି, ସେ ବାହୁଡ଼ି ଆସନ୍ତୁ ।
ବଳଭଦ୍ର- କହ୍ନାଇଁ, ଏ ତ ବଡ଼ ଅନ୍ୟାୟ କଥା ! ଆଜି ଲକ୍ଷ୍ମୀପୂଜା ବୋଲି କମଳା ଯାହା-ତାହା ଘରେ ଯାଇ ପୂଜାଭୋଗ ଗ୍ରହଣ କରିବେ ? ଆଉ ଆମେ ତାଙ୍କ ପାଖରେ ଖାଇବୁଁ ? ଭେଦ-ବିଚାର ନାହିଁ ତାଙ୍କର ? ମନ୍ଦିର ମାରା ହେବ, ପାକ ମାରା ହେବ । ଏସବୁ ସହିବା ତ ଅସମ୍ଭବ ।
ଜଗନ୍ନାଥ- ଭାଇ, କମଳା ଲୋକମାତା; ଜଗତର ସେ ଜନନୀ, ଜଣକର ତ ନୁହେ; ମାଆ ହୋଇ ସନ୍ତାନର ଜାତି, ବର୍ଣ୍ଣ ବାରିବେ ସେ ?
ବଳଭଦ୍ର- ଦେବର୍ଷି ! ମହାଲକ୍ଷ୍ମୀ କିପରି ଆମ ବଡ଼ପଣ୍ଡାଙ୍କ ଘରର ଭୋଗରାଗ ଛାଡ଼ି ଶ୍ରୀୟା ମାହାରାଣୀ ଘରେ ନୈବେଦ୍ୟ ଗ୍ରହଣ କରିବାକୁ ଗଲେ ? କି ଅନ୍ୟାୟ ! ବିଚାର କରନ୍ତୁ ତ ଦେବର୍ଷି !
ନାରଦ- ମୁଁ ତ ଏଇକ୍ଷଣି ସେଇ କଥା ନାରାୟଣଙ୍କୁ କହୁଥିଲି । ବଡ଼ଠାକୁର ନିଜେ ତାଙ୍କ ପାକରୁ ନିତ୍ୟ ଭୋଜନ କରନ୍ତି । ଏଥିରେ ଧର୍ମ ନଷ୍ଟ, କାୟା ଭ୍ରଷ୍ଟ, ଶ୍ରୀମନ୍ଦିର ଅପବିତ୍ର ହେବ ସିନା ?
ବଳଭଦ୍ର- ସେଇ କଥା ବିଚାର କରନ୍ତୁ ।
ନାରଦ- ଆଃ, ଖାଲି ଯାଇଥାଆନ୍ତେ, ସେ ଅବା ଅଲଗା କଥା । ହାଡ଼ିଆଣୀଟା ଘରେ ନୈବେଦ୍ୟ ପୁଣି ଗ୍ରହଣ କରିଥିବେ ତ !
ବଳଦେବ- ନାଃ, ଏଭଳି ଅକଥା ମୁଁ ଘଟାଇଦେବି ନାହିଁ । ଜୟ, ବିଜୟ ! ସିଂହଦ୍ୱାର ମୁଦକର ।
ଜୟ- ମହାଦେଈ ବାହୁଡ଼ିବେ ବୋଲି ସିଂହଦ୍ୱାର ମୁକୁଳା ରଖିବାକୁ ଆଜ୍ଞା ଦେଇଛନ୍ତି ମଣିମା !
ବଳଭଦ୍ର- ନା, ବନ୍ଦ କର । ମୋର ଆଦେଶ ।
ନାରଦ- ପ୍ରଭୋ !...
ବଳଭଦ୍ର- ତୁନି ହୁଅନ୍ତୁ ଦେବର୍ଷି !
ନାରଦ- ନାରାୟଣ ! ନାରାୟଣ ! ମୁଁ ତେବେ ବିଦାୟ ନିଏଁ । (ଉଠିଲେ)
ବଳଭଦ୍ର- ଆସନ୍ତୁ । ମୁଁ ନିଜେ ଯାଇ ମନ୍ଦିରଦ୍ୱାର ଦେଖି ଆସିବି ।
(ନାରଦଙ୍କ ପଛେ ପଛେ ଜଗନ୍ନାଥ ଓ ବଳଭଦ୍ର ଚାଲିଗଲେ)
[ସିଂହଦ୍ୱାରର ସମ୍ମୁଖ-କବାଟ ବନ୍ଦ ଅଛି । ମହାଲକ୍ଷ୍ମୀ, ଶ୍ରୀୟା ଓ ତୁଳସୀ ନାମ୍ନୀ ଦାସୀ ପ୍ରବେଶ କଲେ।]
ତୁଳସୀ- ମହାଦେଈ, ମଣିମାଙ୍କ ଛାମୁରେ ଶିରୀ କଅଣ ଜଣାକରୁଛି ।
ଲକ୍ଷ୍ମୀ- ଏଁ ? ସେ କଅଣ ପୁଣି ଏତେ ବାଟ ଆସିଛି ?
ଶ୍ରୀୟା- ମହାଦେଈଙ୍କୁ ପାଛୋଟି ଆସନ୍ତି ନାହିଁ ? ଏ କି କଥା ଆଜ୍ଞା ହେଉଛନ୍ତି ମଣିମା ! ସିଂହଦୁଆର ତ ହେଲା, ମୁଁ ଏଥର ପାଆତଳୁ ବିଦାହଉଚି ।
ଲକ୍ଷ୍ମୀ- ଶ୍ରୀୟା ! ତୋ ମୁହଁରୁ ଏଇ କଥା ଶୁଣି ମୋତେ କେତେ ବାଧୁଛି ତୁ ବୁଝିପାରିବୁ ନାହିଁ । ସଭିଏଁ ଆଜି ମୋର ପୂଜା କଲେ, ଭୋଗରାଗ ଦେଲେ, ହେଲେ ତୋ ଘରପରି ସୁଆଦ ପିଠାପଣା ଆଉ କାହାରି ଘରେ ନାହିଁ ।
ଶ୍ରୀୟା- ଏ କଅଣ କହୁଚନ୍ତି ମହାଦେଈ ! ଶିରୀ ଛାର ହାଡ଼ିଆଣୀଟା । ଦୁଆରେ ତାର ପାଆ ପକାଇ ତା’ ସାତଜନମ ଉଦ୍ଧାର କଲେ ମଣିମା ! ପାଆତଳେ ଓଳୋଗି ହେଇ ମାଆ ବୋଲି ଡାକିବା ଛଡ଼ା ଆଉ ତ କିଛି ଜାଣିନାହିଁ କି ଦେଇନାହିଁ ମୁଁ ମହାଦେଈ ?
ଲକ୍ଷ୍ମୀ- ଶ୍ରୀୟା ! ଚଣ୍ଡାଳ କଅଣ, ବ୍ରାହ୍ମଣ କଅଣ, ସଭିଏଁ ତ ମୋର ପୁଅଝିଅ । ମୁଁ ଖାଲି ଖୋଜେ-ପବିତ୍ର ମନ, ପବିତ୍ର ପ୍ରାଣ । କାହାରି ବ୍ୟବସାୟକୁ, କର୍ତ୍ତବ୍ୟକୁ ଘୃଣା କରିବାର ନୁହେଁ । ଧର୍ମ ଆଉ କର୍ତ୍ତବ୍ୟ ଅଲଗା ଅଲଗା କଥା । ତୁ ହାଡ଼ିଆଣୀ ବୋଲି ନିଜକୁ ଛୋଟ ମନେ କରୁଛୁ କାହିଁକି ? ମନ ତ ତୋର ହାଡ଼ିଆଣୀ ନୁହେଁ ?
ଶ୍ରୀୟା- ପୁଣି କେବେ ମୋ ଭାଗ୍ୟ ହବ, ମଣିମାଙ୍କ ଦର୍ଶନ ପାଇବି ମହାଦେଈ ?
ଲକ୍ଷ୍ମୀ- ଶ୍ରୀୟା, ଲୋକେ ସମାଜ ବୋଲି ଗୋଟାଏ ବାଡ଼ ପକାଇ ତମମାନଙ୍କୁ ଦ୍ୱାର ରୋକିଦେଇଛନ୍ତି, ତାଙ୍କ ସୁବିଧା ପାଇଁ । ବାକି ମୁଁ ପରା ମାଆ ? କହିଲୁ ଦେଖି, ଛୁଆକୁ ନଦେଖି ମାଆ ମନ କି କେବେ ସମ୍ଭାଳେ ?
ଶିରୀ- ଦୂରରେ ପଛକେ ଥାଏ ମଣିମା, ଏଇ ଅନୁଗ୍ରହ ଥାଉ । କେତେବେଳୁ ସିଂହଦୁଆରେ ଉଭାହେଲେଣି, ଚୌରିକି ବିଜେ ହୁଅନ୍ତୁ । ଦେଉଳ ଭିତରକୁ ଯାଇ ନପାରିଲେ କଅଣ ହେଲା ? ଶିରୀ ମନଭିତରେ ତା ଦିଅଁ । ପାଆତଳେ ଓଳୋଗି ହଉଚି ମଣିମା ! (ମୁଣ୍ଡିଆ ମାରିଲା)
ଲକ୍ଷ୍ମୀ- ତୋ ଆଦର, ତୋ ଭକ୍ତି ମୋର ଅପସୋରା ହୋଇ ରହିଲା ଶ୍ରୀୟା ! ଯା- ତୁ ଘରକୁ ଯାଆ ।
(ଶ୍ରୀୟା ଚାଲିଗଲା)
ତୁଳସୀ- ଜୟ, ବିଜୟ ! ତମକୁ କଅଣ କାଳନିଦ ଘୋଟିଛି କି ରେ ? ମହାଦେଈ ପହଡ଼େ ହେଲା ଉଭାହେଇଛନ୍ତି ଟି ? ସିଂହଦ୍ୱାର ମୁକୁଳା ରଖିବାକୁ ଆଜ୍ଞା ହୋଇଥିଲା ପରା ? କାହିଁକି କିଳିଛ ? ବେଗେ ଫିଟା ।
ବିଜୟ- (ଭିତରୁ) ତୁଳସୀ, ମହାଦେଈଙ୍କ ଛାମୁରେ ଜଣାକର ଆମର କିଛି ଦୋଷ ନାହିଁ । ବଡ଼ଠାକୁରେ କୋଉଠୁ ଶୁଣିଲେ, ମହାଦେଈ ହାଡ଼ିଆଣୀଘରେ ଭୋଗ ପାଉଛନ୍ତି । ଭିତରକୁ ଆସିଲେ ଦେଉଳ ମାରାହେବ ବୋଲି ସିଂହଦ୍ୱାର ମୁଦ ଆଜ୍ଞା ଦେଇଛନ୍ତି ସେ ।
ଲକ୍ଷ୍ମୀ- ବଡ଼ଠାକୁରଙ୍କ ଆଜ୍ଞା ଶିରୋଧାର୍ଯ୍ୟ । ଚାଲ ତୁଳସୀ, ବାହୁଡ଼ି ଯିବା ।
ତୁଳସୀ- ବାହୁଡ଼ି ଯିବା ? କେଉଁଠିକି ?
ଲକ୍ଷ୍ମୀ- ଯେଉଁଠୁ ଆସିଥିଲେଁ ।
ତୁଳସୀ- ଏ କି କଥା ମହାଦେଈ ! ଥରେ ସାନଠାକୁରଙ୍କୁ ପଚାରି ଦେଇ ଯିବା ନାହିଁ ?
ଲକ୍ଷ୍ମୀ- ଦୁଇ ଭାଇରେ ବିଚାର ନ ପଡ଼ି କଅଣ ଏ କଥା ହୋଇଥିବ ? ମତେ ଛାଡ଼ି ରହିବାକୁ ଯେବେ ତାଙ୍କ ମନ; ରହନ୍ତୁ । ନାରୀଜାତି ବୋଲି କାହିଁକି ଏତେ ଅପମାନ ସହିବା ? ସବୁ ବାଛ-ବିଚାର ଆମରି ପାଇଁ ? ହଉ, ଚାଲ-ବାହୁଡ଼ି ଚାଲ । ଦେଖିବା ପୁଣି; କିଏ କାହା ଦୁଆରକୁ ଯାଏ । ମାଆ ମୁଁ; ପୁଅଝିଅଙ୍କ ପାଖରେ ମୋର ଜାତି-ବିଚାର କେଉଁଠୁ ଆସିଲା ? ଆ, ଚାଲି ଆ ।
(ଦୁହେଁ ଫେରିଗଲେ)
[ପୁରୀ ରାଜପଥରେ ଅନ୍ଧ ଭିକାରିଟିଏ ଗାଇ ଗାଇ ଯାଉଥିଲା]
ଭିକାରି-
(ଗୀତ)
କେତେ ଶୋଇରହିଛ ଜଗା ଦିଅଁ ?
ଭୋକେ ମରିଲେ ତେଣେ ପୁଅଝିଅ ।
ବଡ଼ ସାନ ତୁମେ ଯେବେ,
ବିଚାର କରିବ, ତେବେ
ପତିତପାବନ ନ ବୋଲାଅ ।
ଛପନ ଭୋଗରେ ଥାଇ
ପହୁଡ଼ ନିଧୋକ ହୋଇ,
ବୁଡ଼ିଲାଣି ଭେକ ବାରେ ଚାହଁ ।
(କୃଷ୍ଣ ବଳଭଦ୍ର ଯାଉଥିଲେ ଅନ୍ଧ ଦେହରେ ଧକ୍କା ବାଜିଗଲା)
ଅନ୍ଧ- ଓଃ ମଲା, କେଡ଼େ ଧକାଟାଏ କିଏ ମାଇଲା ? ପଡ଼ିଯାଇ ଥାନ୍ତି ଏଇନାଗେ । ମୁଁ ଅନ୍ଧ ମାଗିଖିଆଟାଏ ବୋଲି ତୁମେ କଅଣ ସେଇଆ ?
ବଳଭଦ୍ର- କ୍ଷମା କର । ଆମେ ଦୁଇଭାଇ ବି ତୋ’ରି ପରି ବଡ଼ଦାଣ୍ଡର ଭିକାରି । ଅଚଳାଚଳ ସମ୍ପତ୍ତି ଥିଲା । ରାତି ପାହିଲାବେଳକୁ ସବୁ କୁଆଡ଼େ ଉଭାଇଗଲାଣି । ତୁ ତ ହେଲେ ଭିକଗଣ୍ଡାଏ ଧରିଛୁ; ଦିନଯାକ ବୁଲି ବୁଲି ଆମକୁ ଖୁଦ-କଣିକାଏ ବି ମିଳିଲା ନାହିଁ । ଯାହା ଦୁଆରକୁ ଗଲୁଁ - ଯେ ଦେଇମନକଲା, ତା ହାଣ୍ଡିରନ୍ଧା ଦରବ ଉଭାଇଗଲା ।
ଭିକାରି- ଆରେ ରାମ ରାମ, ଲକ୍ଷ୍ମୀଛଡ଼ାଗୁଡ଼ାକ ତୁମେ କି ?
ବଳଭଦ୍ର- ଭୋକ ଆମକୁ ଅନ୍ଧ କରିଦେଇଛି ଭିକାରୀ ! ପାହୁଣ୍ଡ ପକେଇବାକୁ ଦିହରେ ବଳ ନାହିଁ ।
ଭିକାରି- (ବଳଭଦ୍ରଙ୍କ ଦେହ ଅଣ୍ଡାଳି) ମଲା, କେଡ଼େ ଧୁମୁସା ଧୁମୁସା ଲାଗୁଛି ହାତକୁ । ପୁରସ୍ତମରେ ପତର ଗୋଟେଇ ଖାଇ ପାରୁନା ? ସତରେ ତୁମେ ଲକ୍ଷ୍ମୀଛଡ଼ା ପୁରୁଷ ! ଦାନା ମିଳିବ କୁଆଡ଼ୁ ? ହଉ, ଯା ଯା । ଏଇଠି ଦରିଆକୂଳରେ ଜଣେ ମହାରାଣୀ କୋଉଠୁ ଆସି ବହୁତ ଅତିଥି-ଅଭ୍ୟାଗତଙ୍କୁ ଦାନ ଦଉଛି; ସେଇଠିକି ଯା । ମାଗ, ପେଟେ ପେଟେ ଖାଇବ ।
(ଗୀତ ଗାଇ ଗାଇ ଭିକାରି ପ୍ରସ୍ଥାନ)
ବଳଭଦ୍ର- କହ୍ନାଇ, ଚାଲ ପେଟଲାଗି ପୁଣି ବାରଦ୍ୱାର ହେଲେ ଆମେ ? (ଜଣେ ପଣ୍ଡା ଆସିଲେ) ହଇ ହୋ ପଣ୍ଡା ଠାକୁରେ, ଏଠି କିଏ ଛତ୍ର ଦେଉଛି, କୋଉଠି ଜାଣ କି ?
ପଣ୍ଡା- ଆରେ ବେହିପୋ, ଚାହିଁ-ଜଳକାହଳେ କି ? ହଇରେ ! ଯୋଡ଼ାଏ ମଣିଷ, ଗଣ୍ଡାଏ ଆଖିରେ ଦେଖୁଛ, -ହେଇଟି ଆଗରେ ଲୋକ ଖାଣ୍ଡି ଖାଣ୍ଡି କରି ବୋହିନେଇ ଯାଉଛନ୍ତି, ଦିଶୁନାହିଁ ? ହଇରେ କାଳିଆ ଧୁମା, କୁମ୍ଭାଟୁଆଦେରେ ଏଡ଼େ ଏଡ଼େ ଢେବା-ଢେବା ଯୋଡ଼ାଏ ଆଖି ପାଇଛୁ; ଦିନକଣାଟାଏ କି ରେ ? ହେଇଟି ପରା ! ଏଇଟା ସେ ନୂଆ ମହାରାଣୀ କୋଠା-ଯାଉନ ?
ବଳଭଦ୍ର- ଆମେ ଜାଣି ନଥିଲୁ । (ଦୁହେଁ ଆଗକୁ ମାଡ଼ିଚାଲିଲେ)
ପଣ୍ଡା- ମଲା, ମଲା, ମଲା; କହିଲି ବୋଲି କଅଣ ଉପରକୁ ମାଡ଼ିଯିବ କି ରେ ? ଆରେ ଛୁଅଁନା-ଛୁଅଁନା; କି ଜାତି ବୋଇଲେ କି ଜାତି ! ବେହିପୋ ଏଡ଼େ ଏଡ଼େ ଷଟାପୋଷ ଦାମୁଡ଼ିହଳେ ହେଇଛ ! ଖଟି ଖାଇବାକୁ ଧାନ ମିଳୁନାଇଁ ତମୁକୁ ? ଆରେ ବେହିପୋ, ଲକ୍ଷ୍ମୀଛଡ଼ାଗୁଡ଼ାଏ କି ରେ ? ଯା-ଯା ଆଡ଼େଇ ହେଇଯା, ଛାଇ ପଡ଼ିବ ।
(ସମସ୍ତେ ପ୍ରସ୍ଥାନ)
[ମହାଲକ୍ଷ୍ମୀଙ୍କ ଦ୍ୱାରସମ୍ମୁଖ-ଦୁଆରେ ଗୋଳମାଳ ଶୁଭିଲା]
୧ମ- ଆହା, ହା ! କି ରାନ୍ଧଣା ହୋଇଛି ! ଅମୃତ ସମାନ ।
୨ୟ- ମାଆ, ଆଉ ଖଣ୍ଡେ ଅମାଲ...
୩ୟ- ଟିକିଏ ଖିରିସା ମା’ !
୪ର୍ଥ- ମାଆ, ଏଣେ ଟିକିଏ ମହୁର ଦେଲ !
(ଜଗନ୍ନାଥ, ବଳଭଦ୍ର ଆସିଲେ)
ତୁଳସୀ- ଆଲୋ, ଏ କଳା ଗୋରା ଦି’ଜଣ କିଏ ଦେଖିଲୁ । ରଜାପୁଅପରି ଦିଶୁଛନ୍ତି ଲୋ ! ମୁହଁଟିମାନ ବାକି ଶୁଖିଯାଇଛି ।
ବଳଭଦ୍ର- ଏଠି କୋଉଠି ଛତ୍ର ଦିଆହଉଚି ପରା ? ଆମେ ଦି’ଜଣ ବ୍ରାହ୍ମଣ । କିଛି ସେଭଳି ବ୍ୟବସ୍ଥା ଅଛି ?
ତୁଳସୀ- ଏଠି ତ ଆମର ଜାତି ବାଛ-ବିଚାର ନାହିଁ । ଅଜାତିଘର ଛତର ୟେ-ଯାହା ମନ ହେଲା, ସେ ଖାଇଲା ।
ବଳଭଦ୍ର- କହ୍ନାଁଇ, କ’ ଣ କହୁଛ ?
ଜଗନ୍ନାଥ- ଆପଣଙ୍କର ଯାହା ଆଜ୍ଞା ।
ବଳଭଦ୍ର- ଆଉ ସହିହେଉନାହିଁ, ଚାଲ.... ବସିଯିବା ।
ତୁଳସୀ- କଅଣ କହୁଚ ? ମୋର ପାଇଟି ଫେର୍ ଅଛି ନା ତେଣେ ।
ବଳଭଦ୍ର- ହଉ ଆଣ ।
ତୁଳସୀ- ଏଇଠି ପାରୁଶ କରୁଛି ତେବେ... ବସ ।
(ତୁଳସୀ ଭିତରକୁ ଗଲା)
(ଦୂରରୁ ନାରଦକଣ୍ଠରୁ ସଂଗୀତ ଭାସିଆସିଲା)
“ନାରାୟଣୀ ଜଗତଜନନୀ ! କଞ୍ଜ ଚରଣତଳେ ବନ୍ଦେ’’
(ତୁଳସୀ ଆସି ପତ୍ର ପକାଇ ଖାଦ୍ୟ ବାଢ଼ିଦେଲା)
ତୁଳସୀ- ଆଉ କଅଣ ଲୋଡ଼ା କହିଲେ, ଦେବି ।
ବଳଭଦ୍ର- (ଖାଇ) କହ୍ନାଁଇ, ଏ ତ ଠିକ୍ କମଳାଙ୍କ ହାତରାନ୍ଧଣା ଭଳି ଲାଗୁଛି ।
ତୁଳସୀ- ଆଉ କଅଣ ଦେବି, କହିଲ ତ ନାହିଁ ! କଅଣ ସୁଆଦ ହୋଇନାହିଁ କି ?
ବଳଭଦ୍ର- କିଏ କହିଲା ? ଲକ୍ଷ୍ମୀରାନ୍ଧଣାପରି ଲାଗୁଛି । ପେଟ ପୂରାଇ ଆମେ ଖାଇଛୁଁ । (ଉଠିବାକୁ ଉଦ୍ୟତ ହେଲେ)
ତୁଳସୀ- ବସ ବସ, ଏ ପୋଡ଼ପିଠା ଖଣ୍ଡିକମାନ ଖାଇସାରି ଉଠ । (ପୋଡ଼ପିଠା ଖଣ୍ଡିଏ ଖଣ୍ଡିଏ ଦେଇଗଲେ)
ବଳଭଦ୍ର- ପୋଡ଼ପିଠା ? ନିତି ମୋର ଭୋଜନ ପରେ କମଳା ମତେ ଦିଅନ୍ତି ପୋଡ଼ପିଠା । କହ୍ନେଇ, ଏ ତ ଠିକ୍ ସେଇ ପୋଡ଼ପିଠା ? ସେଇ ସ୍ୱାଦ, ସେଇ ସୁବାସ । ତାଙ୍କ ଛଡ଼ା ଏମିତି ପୋଡ଼ପିଠା କିଏ ତିଆରି କଲା ? ଲକ୍ଷ୍ମୀ ଅଭିମାନ କରି ଛାଡ଼ି ଆସିଛନ୍ତି ଆମକୁ । ତା’ର ଯଥେଷ୍ଟ ପ୍ରତିଫଳ ପାଇଲେଣି । କହ୍ନାଁଇ ! ଏ ନିଶ୍ଚୟ କମଳା । ଯା କହ୍ନାଁଇ, କ୍ଷମା ମାଗି ଡାକି ଆଣ । କହ- ସବୁ ମୋର ଭୁଲ ।
(ନାରଦ ପ୍ରବେଶ)
ନାରଦ- ନାରାୟଣ ! ନାରାୟଣ ! କିନ୍ତୁ ବଡ଼ଠାକୁରେ ! ମହାଲକ୍ଷ୍ମୀ ତ ଆଉ ଫେରିବେ ନାହିଁ ।
ବଳଭଦ୍ର- କିଏ ? ଦେବର୍ଷି ନାରଦ ! ଆପଣ ଏଠାରେ ଯେ ?
ନାରଦ- ହଁ, ହାଡ଼ିହାଣୀଘରୁ ମା-ପ୍ରସାଦ ସେବା କରି ଫେରୁଛି ।
ବଳଭଦ୍ର- ମହାଲକ୍ଷ୍ମୀ ମନ୍ଦିରକୁ ଫେରିବେ ନାହିଁ ? ଆମେ କଅଣ ଲକ୍ଷ୍ମୀଛଡ଼ା ହୋଇ ରହିବୁଁ ? ଆପଣ ଯାଇ ତାଙ୍କୁ ଆମଲାଗି ପଦେ କହନ୍ତୁ ଦେବର୍ଷି !
ନାରଦ- ମୁଁ କହିଥିଲି, କିନ୍ତୁ ସେ ଫେରିବାକୁ ନାରାଜ । ଫେରିଲେ ପୁଅଝିଅଙ୍କୁ ସାଙ୍ଗରେ ନେଇ ଫେରିବେ । କେହି ବାଧା ଦେବେ ନାହିଁ କି କେହି ଆପତ୍ତି କରିବେ ନାହିଁ । ସେଠି ରହିବ ନାହିଁ ଜାତିବର୍ଣ୍ଣର ବିଚାର । ସେମାନେ ହରିଜନ- ମହାଲକ୍ଷ୍ମୀଙ୍କ ସନ୍ତାନ ସମସ୍ତେ ।
ବଳଭଦ୍ର- ବୁଝିପାରିଛି ଦେବର୍ଷି ! ମହାଲକ୍ଷ୍ମୀଙ୍କର ସନ୍ତାନ ସେମାନେ । ସେ ତାଙ୍କୁ ତାଙ୍କ ମନ୍ଦିରକୁ ଆଦର କରି ନେବେ । ପିଲାଏ ତାଙ୍କର ମାଆକୁ ଖୋଜି ନ ଥିଲେ; ତେଣୁ ଦେଉଳ ଦ୍ୱାର କିଳାହୋଇଥିଲା । ପବିତ୍ର ପ୍ରାଣର ସ୍ନେହ, ଭକ୍ତିର ଧକ୍କା ଛାର ସିଂହଦ୍ୱାର କିଳିଣୀ କଅଣ ସମ୍ଭାଳି ପାରିବ ? ମହାଲକ୍ଷ୍ମୀଙ୍କୁ ମନ୍ଦିରକୁ ବିଜେ କରାନ୍ତୁ ।
ନାରଦ- ଜୟ ଜୟ ନାରାୟଣ ! ଏ କୀର୍ତ୍ତି ପୁରାଣପ୍ରସିଦ୍ଧ ହୋଇ ରହିବ ଯୁଗେ-ଯୁଗେ । ମୁଁ ତେବେ ଆସୁଛି, ମହାଲକ୍ଷ୍ମୀଙ୍କୁ ଜଣାଇ ଆସେ । (ପ୍ରସ୍ଥାନୋଦ୍ୟତ)
(ଲୋକଗହଳି ଭିତରୁ ନାରଦଙ୍କ କଣ୍ଠରୁ ଉଦ୍ଦାତ୍ତ ସ୍ୱରରେ ‘‘ଜୟତୁ ଜୟ ନାରାୟଣୀ ଜଗତଜନନୀ ଜୟତୁ’’ ଶୁଣାଯାଉଥିଲା ।)
ବଳଭଦ୍ର- ଆମ୍ଭେମାନେ ମନ୍ଦିରଦ୍ୱାର ଉନ୍ମୁକ୍ତ ରଖି ଆପଣଙ୍କ ଅପେକ୍ଷାରେ ରହିଲୁଁ । ମହାଲକ୍ଷ୍ମୀଙ୍କୁ ଜଣାନ୍ତୁ- ସେ ତାଙ୍କର ପୁଅଝିଅଙ୍କୁ ସଙ୍ଗରେ ଘେନି ମନ୍ଦିରକୁ ଆସନ୍ତୁ ।
ନାରଦ- ଯଥା ଇଚ୍ଛା ଆପଣଙ୍କର ବଡ଼ଠାକୁରେ ! (ଭିତରକୁ ଗଲେ)
(ଜଗନ୍ନାଥ ଓ ବଳଭଦ୍ର ବିପରୀତ ଦିଗରେ ଗଲେ)
ବଡ଼ଦାଣ୍ଡ
[ଲୋକମାନେ କଥାବାର୍ତ୍ତା ହୋଇ ଆସୁଛନ୍ତି]
୧ମ- ଆରେ ଛି, ଛି, ଏକାଳ କଅଣ ନହେଲା ! ଛୁଆଁ-ଅଛୁଆଁ ବାରଣ ବୁଡ଼ିଗଲା ? ଯାହାଙ୍କ ଛାଇ ପଡ଼ିଲେ ପ୍ରାୟଶ୍ଚିତ୍ତ କରୁଥିଲେଁ ସେ ପୁଣି ଗମ୍ଭୀରାରେ ପଶିଲେ ? ଦିଅଁ ମାରା, ଦେଉଳ ମାରା, ପଞ୍ଝାଏ ମେଳଛ କୋଉଠୁ ଆସି ବସିଛନ୍ତି ! ହଇରେ ! ଦେଉଳରେ ଅଛବଙ୍କୁ ପୂରେଇବ ? କହୁଛନ୍ତି ପୁଣି ସେ ପରା କଅଣ ହରିଜନ ।
୨ୟ- ସେମିତି ହେଉନାହିଁକି ? ଦେଖୁନ ? ଆମ୍ବଗଛ- ଆମ୍ୱ ତ ଫଳିଲା ନାହିଁ, ମୁଣ୍ଡିବଉଳଟାଏ ଭଲା ଅଛି ? ଧାନ ଚାଉଳ ତ ଦେଖୁଛ, ଘିଅଦୁଧ କଥା ଛାଡ଼ । ସୁଆତି, ପବନ, ବଢ଼ି ଚାଟିଦେଲାଣି ଦେଶକୁ ।
୧ମ- ହଇରେ, ଜୀଅନ୍ତା ଦେବତାଟି ସେ ! ପଶନ୍ତୁ, ପଶନ୍ତୁ ଆଗେ ଏ ହାଡ଼ୀପାଣେ । ଦେଉଳଦୁଆର ଯେବେ ଭାଙ୍ଗି ନପଡ଼ିଛି ମୁଣ୍ଡଉପରେ ତାଙ୍କର....
୨ୟ- ତୁନିହ, ତୁନିହ । ହେଇଟି, ହେଇଟି ସେଇଥିରୁ ଗୋଟିଏ ପଲାଶିଛି ଦେଉଳ ଦୁଆରକୁ । ଖେଦାଏ ଅଛବ ତା ପଛରେ । ଶୁ’ଣୁ ଶୁ’ଣୁ, କଅଣ ଶିଖାଉଚି ତାଙ୍କୁ ସବୁ ।
(ପ୍ରବେଶ କଲେ ନେତା ଓ ଜନତା)
ନେତା- ଭୟ ନାହିଁ କିଛି । ଜଗନ୍ନାଥ ପତିତପାବନ । ସେ ବ୍ରାହ୍ମଣ, କରଣ ନୁହନ୍ତି । ସମସ୍ତେ ତାଙ୍କର ପୁଅଝିଅ । ଏହି ମହାପ୍ରସାଦ-ମା-ପ୍ରସାଦ । ସମସ୍ତଙ୍କର ଦାବି ଅଛି ଏଥିରେ । ସ୍ୱାର୍ଥପର ଲୋକେ ତୁମମାନଙ୍କୁ ଭୁଲାଇ ସମାଜ ବୋଲି ଗୋଟିଏ ବଡ଼ ପାହାଡ଼ ଗଢ଼ି ବହୁକାଳରୁ ତୁମମାନଙ୍କୁ ଦୂରରେ ରଖିଛନ୍ତି । ଦୁନିଆଁରେ ସେମାନଙ୍କୁ ଯେ ଗଢ଼ିଛି ତୁମେମାନେ ବି ସେଇ ହାତର ଗଢ଼ା ପିତୁଳା । ସମାନ ମଣିଷ ସମସ୍ତେ ସମାନ ହାଡ଼ ଚମ-ସମାନ ରକ୍ତ । ଯେଝା କର୍ତ୍ତବ୍ୟ କର: କିନ୍ତୁ ସତ୍ହୁଅ । ପବିତ୍ର ମନରେ, ପବିତ୍ର ପ୍ରାଣରେ ଦେବମନ୍ଦିରରେ ପ୍ରବେଶ କର । ଭୟ ନାହିଁ ।
ଜନତା- ସିଂହଦ୍ୱାର ବନ୍ଦ ଅଛି ତ !
ନେତା- ଦେହର ବଳ ଦରକାର ନାହିଁ-ଲୋଡ଼ା ମନର ବଳ । ପୁଅଝିଅ ଡକାଛାଡ଼ିଲେ ବାପାମାଆ କେବେ ତାକୁ ଦୂରକୁ ଠେଲିଦେଇ ପାରନ୍ତି ? ବିଧାତା କାହାକୁ ଛୁଆଁ, କାହାକୁ ଅଛୁଆଁ କରି ଗଢ଼ିନାହଁ । ସେସବୁ ସମାଜପତିମାନଙ୍କ ସ୍ୱାର୍ଥପର କରଣୀ । ବିଧାତା ଅଛୁଆଁ ଲୋକଙ୍କୁ ଗଢ଼ିଲାବେଳେ ମାରା ହୁଏ ନାହିଁ ତ ! ଗଙ୍ଗାରେ ବ୍ରାହ୍ମଣ ଗାଧୁଏ, ଚଣ୍ଡାଳ ବି ଗାଧୁଏ; ଗଙ୍ଗା ତ କାହିଁ ଅପବିତ୍ର ହେଉ ନାହିଁ ? ଆପଣାର ସୁବିଧା ଲାଗି ସମାଜ ଉଚ୍ଚନୀଚ ଭେଦାଭେଦ ଭିଆଣ କରିଚି । ପତିତପାବନଙ୍କ ନାମରେ ଶପଥ କର- ତୁମ୍ଭେମାନେ, ପାପଠାରୁ ଦୂରରେ ରହି ପବିତ୍ର ଜୀବନ ଗଢ଼ିବ । ସତ୍ ହେବ ଆଜିଠାରୁ । ତାଙ୍କର ସେବା କରିବାକୁ ଉପଯୁକ୍ତ ହେବ ତୁମ୍ଭେମାନେ । ତୁମ୍ଭେମାନେ ତାଙ୍କର ଯୋଗ୍ୟ ସନ୍ତାନ ବୋଲାଇବ ।
ଜନତା- ଜଗନ୍ନାଥଙ୍କ ନାଆଁରେ ଶପଥ କରୁଛୁଁ- ଆମ୍ଭେମାନେ ପବିତ୍ରଭାବରେ ଚଳିବୁଁ ।
ନେତା- ଡାକ । ଆସ ଭାଇ, ପ୍ରାଣର ଡାକ ଦିଅ । ସିଂହଦ୍ୱାରର କାଠକବାଟ ତ ଛାଡ଼; ରତ୍ନ-ସିଂହାସନ ଟଳିଯିବ । ଆମ ଦିଅଁ ମାରା ହେବାର ନୁହନ୍ତି । ଜାତି-ଅଜାତି ନୁହନ୍ତି । ସେ ପରଂବ୍ରହ୍ମ ।
‘‘ସକଳ ଦେହେ ନାରାୟଣ
ବସନ୍ତି ଅନାଦି କାରଣ ।’’
ଆମର ପ୍ରଭୁ-ପତିତପାବନ ।
(ଦ୍ୱାରୀ ପ୍ରବେଶ)
ଦୁଆରୀ- ଆରେ ଘୁଞ୍ଚ । ଘୁଞ୍ଚ, ଦେଉଳ ଦୁଆରୁ ଘୁଞ୍ଚ ।
ଜଣେ- ଜୟ ପତିତ ପାବନ କି ଜୟ । [ତିନିଥର ଡାକ ଶୁଭିଲା, ସିଂହଦ୍ୱାର ଫିଟିଗଲା]
ଭିତରୁ ସମବେତ କଣ୍ଠରେ ଶୁଭୁଥାଏ-
‘‘ଜୟ ପତିତପାବନ କି ଜୟ’’
(କୋଳାହଳ କରି ସମସ୍ତେ ମନ୍ଦିରଭିତରକୁ ପଶିଗଲେ)
କୁଶୀଲବ
ରସିଆ- କକା, ରଥିଆ- ପୁତୁରା = ଗ୍ରାମବାସୀଦ୍ୱୟ
ରଙ୍ଗୀ- ଆଈ
କୁସୁମ- ରସିଆର ସ୍ତ୍ରୀ
[ଝଡ଼, ପବନ, ବର୍ଷା, ଘଡ଼ଘଡ଼ି ପ୍ରଭୃତି ସୃଷ୍ଟି । ଘରଭିତରୁ ମାଆ ପିଲାକୁ ଶୁଆଉଥିବାବେଳେ ‘ଗୀତ’ ଗାଉଛି]
କୁସୁମ-
(ଗୀତ)
ଧୋ’ ରେ ବାଇଆ ଧୋ’
ଯୋଉ କିଆରୀରେ ଗହଳ ମାଣ୍ଡିଆ
ସେଇ କିଆରୀରେ ଶୋ’ ।
ଉଞ୍ଚ ପରବତ କୁଞ୍ଚି-କୁଞ୍ଚିକା ଲୋ,
ନିଦୁରୁବୁଢ଼ୀର ଘର,
ଆ ଆ ଲୋ ମାଉସୀ ! ଶୁଆଇ ଦେଇ ଯା’
କାଳିଆ ସୁନାକୁ ମୋର ।
ସାଇଁ ଗରଜଇ ନେଳୀ ବଉଦ ଲୋ,
ଝୁଲୁଛି ବାଇଆ ହାତୀ,
ମୋ ହାତୀ ଝୁଲଇ ମାଆକୋଳରେ ଲୋ,
ପାହି ଯିବାଯାଏ ରାତି ।
(ନେପଥ୍ୟରୁ ରଙ୍ଗୀର ଡାକ ଶୁଭିଲା)
ରଙ୍ଗୀ- (କବାଟ ଖଡ଼ଖଡ଼ କରୁକରୁ) ଏ ଛୁଆ-ମାଆ-ଆଲୋ ଏ ଛୁଆ-ମାଆ !
କୁସୁମ- ଏଁ, କିଏ ଡାକୁଛ ମ ?
ରଙ୍ଗୀ- ଆଲୋ, ମୁଁ ତୋ ରଙ୍ଗୀ ଆଈ ଲୋ କୁସୁମ !
କୁସୁମ- (ହସି) ମଲା ଲୋ- ମୋ ନାଆଁ ନଥିଲା ପରି ଡାକ ପଡ଼ିଚି, -ଛୁଆ-ମାଆ; ଛୁଆ-ମାଆ !’
ରଙ୍ଗୀ- କିଲୋ ! ଛୁଆର ତ ମାଆ ହେଲୁ, ଆଉ ଡାକିଲାଠୁ ଦୋଷ କଅଣ ହେଲା ? ପୁଅର ଭଲା କଅଣ ନାଆଁଟିଏ ଦେଇଥାନ୍ତୁ ହେଲେ ଅମୁକ-ମାଆ ବୋଲି ଡାକିଥାଆନ୍ତି । ଆଲୋ, ଦୁଆର ଫିଟା ମ । ପାଣି ଛାଟ ମାରୁଛି, ବୁଢ଼ୀଟା ତିନ୍ତିଯାଉଚି ଲୋ !
କୁସୁମ- ଆଲୋ ରଙ୍ଗୀ ଆଈ ! ଟିକିଏ ରହ ଲୋ, ହାତଉଛୁଳା ପକାନାହିଁ । ବେଳବୁଡ଼ରୁ ଏକା ରାହା ଧରି କାନ୍ଦିଲା ଯେ ଆଉ ସମ୍ଭାଳେ କିଏ ? ବଡ଼ ଅଝଟିଆ ହେଇଚି ଲୋ ତୋ ନାତିଖଣ୍ଡିକ ! ରହ ରହ, ଟିକିଏ କୋଳଛଡ଼ା କରି ଶୁଆଇ ଦେଇଯାଉଚି ।
ରଙ୍ଗୀ- ହଉ ହଉ । ଆ, ଆ ଟିକିଏ ବେଇଗି ଆ । କବାଟଟା ଫିଟେଇ ଦେ । ତୋ ପାଇଁ ଗୋଟେ ଅପୂରବ ଦରବ ଆଣିଛି ଲୋ, ଓଦା ହେଇଯିବ ।
କୁସୁମ- (ପିଲା ପିଠିରେ ହାତ ମାରି) ଶୁଅ ଶୁଅ ! ଆହା ଲୋ ଅପୂରବ ଦରବ, କଅଣ ?-(ଉଠିଯାଉ ଯାଉ)
‘‘ଚନ୍ଦୁରୀ କବାଟ ଫିଟା ଲୋ
ଆଣିଚି ଆରିଶା ପିଠା ଲୋ ।’’
(କବାଟ ଫିଟାଇଲା)
ରଙ୍ଗୀ- (ପ୍ରବେଶ କରି) ନେ ଦେଖ୍, ଆରିଶା ପିଠା କି ନାହିଁ, ଦେଖ୍ । (ପୋଷ୍ଟ କାଡ଼ଟିଏ ବଢ଼ାଇଦେଲା)
କୁସୁମ- ଆଲୋ ଇଏ କଅଣ ?
ରଙ୍ଗୀ- ଚିଠି ଲୋ ଚିଠି ! ରସିଆ ଦେଇଚି କଲିକତାରୁ । ଆଉ ପୁଣି ତୋ ନାଆଁରେ କୋଉ ନାଗର ଚିଠି ଦେଉଥିଲା ?
କୁସୁମ- ଏତେ ରାତି, ଏତେ ବରଷା, ଏଥେରେ ଚିଠି କୋଉଠୁ ପାଇଲୁ ମ ?
ରଙ୍ଗୀ- ଆଲୋ ନାଇଁ ମ, ତୋ ଅଜା ଯାଇଥିଲା ହାଟକୁ ଯେ ବାହୁଡ଼ାଣି ଡାକପିଅନ ଦେଲା ଏ ଖଣ୍ଡିକ । ମୁଁ ଗଣ୍ଡେ ଖାଇବାକୁ ବାଢ଼ି ଦଉଦଉ ପରା ତର ସହିଲାନାଇଁ ତୋ ଅଜାର । କହିଲା- ଏଇ ଚିଠିକିନେଇ ବେଗେ ଦେଇଆ ।
କୁସୁମ- ଆଲୋ, ସିଏ ସିନା ପାଠ ପଢ଼ିଛନ୍ତି ଯେ ଚିଠି ନେଖିଦେଲେ, ମୁଁ ଏବେ କଅଣ କରିବି ତାକୁ ? ରାତି ପାହିଲେ କାହାରିକି ପଢ଼େଇବି ସିନା ! ଚାରିମାସର ପିଲା ହେଲାଣି ଯେ, ମନ କହୁନାଇଁ ବାପର, ଥରେ ଆସି ପୁଅମୁହଁ ଦେଖିଯିବାକୁ । କେହି ତ ଆଉ ପାଖରେ-ଆଖରେ ନାହିଁ, ତେହିଁକି ଭାଇ-ଭଗାରିଆ କଥା । ତୁଚ୍ଛାକୁ ତ କୁଆଟେ ବୋଇଲେ ଛୁଆଟେ- କେତେ ଅନାକରି କହୁଚନ୍ତି । କାହାକୁ ଏବେ ଡାକି ପଠାଇବି କହିଲୁ ?
ରଙ୍ଗୀ- କାହିଁକି ମ ? କଅଣ ଆଉ କିଏ ହେଇଛି କି ?
‘‘ଭାଙ୍ଗ-ମରିଚ ପାଣି-ନା ରଜା ପାଇଛା ଜାଣି !’’
ଗେରସ୍ତ ଦେଲା ଘରଣୀ ପାଖକୁ ଚିଠି- ଏଇଥିକି କୋଉ ଯୁଗ ମୁଗ ହୋଇଗଲା ଯେ ?
କୁସୁମ- ନାହିଁ ଯେ, ମତେ ଭାଳେଣି ପଡ଼ିଲାଣି...ଚିଠି କିଏ ପଢ଼ିବ ? ବଡ଼ବଡ଼ଯାକ ସବୁ ଏବେ କଅଣ ପାଠ ପଢ଼ୁନାହାନ୍ତି ? ତାଙ୍କ ମାଷ୍ଟର ପୁଣି ଯାଇ କାଲି ସଞ୍ଜକୁ ଆସିବେ ସିନା ! ଭଲ କି ମନ୍ଦ ହେଲେ ଖବର ଟିକିଏ ବାରିଥାଆନ୍ତି । ନିଆଁଲଗା ମନଟା ! ଖାଲି ଛକପକ ହେଉଚି ଲୋ ଆଈ !
ରଙ୍ଗୀ- ହଁ, ୟା ଆଉ ପୁଣି ପଚାରୁଛୁ ? ତିନିଶ କୋଶ ବିଦେଶ କଥା । ଆଲୋ,- ‘‘ଯିଏ ଯାହାର ସିଏ ତାହାର-ଆଉ ବାଡ଼ିପଡ଼ା କିଏ କାହାର’’ ଲୋ ? ତୋ ଅଜା ହେଲେ ଦି’ଅକ୍ଷର ପଢ଼ିଥାଆନ୍ତେ । ଏଡ଼େ ବଡ଼ ଗାଆଁଟେ ଯେ-ସଭିଏଁ ତ ଅନ୍ଧ ! ଆଲୋ ହଁ ଲୋ ! ମନେ ପଡ଼ିଲା-ତୋ ଦେଢ଼ଶୁର ପୁଅ ରଥିଆକୁ ପିଲାଦିନେ ତା ବାପା ଚାହାଳିରେ ବସାଉଥିଲା ! ସେଇ କେଜାଣି ପଢ଼ିଲେ ପଢ଼ିବ ଅବା । ତାକୁଇ ଦେବୁ ।
କୁସୁମ- ମତେ ଲାଜ ମାଡ଼ିବ ଲୋ ଆଈ ! ତୁ ଟିକିଏ ପଢ଼େଇ ଆଣିବୁ, ନେ ।
ରଙ୍ଗୀ- ଏଇନେ ତ ତା’ର ରାତିଅଧ ହବଣି ଲୋ ! ତାଟି-କବାଟ ପଡ଼ିଯିବଣି; ଡାକିଲେ କ’ଣ ଶୁଣିବ ସେ ରଥିଆ ? ହଳରୁ ବାହୁଡ଼ି ବାଧୁଣିଆ ହୋଇ ଘୁଙ୍ଗୁଡ଼ି ମାରିବଣି ସେ ।
କୁସୁମ- ସେମିତି ହେଲେ କାଲି ସକାଳେ ଟିକିଏ ପଢ଼େଇ ଆଣିବୁ । ମୋ ରାଣଟି ରଙ୍ଗୀ ଆଈ !
ରଙ୍ଗୀ- ମଲା, କେଡ଼େ କଥା ଲୋ ତୋର ! ଏଇଥିକି ତେହିଁକି ରାତିବିକାଳି ରାଣଟେ ପକାଉଚୁ ? ମଲୁ ନାହିଁ ଲୋ ବୁଦ୍ଧିଆଣି ! ଚିଠି ରଖିଥା, ମୁଁ ବଡ଼ିସକାଳୁ ଆସି ନେଇଯିବି । ଦେ, କବାଟ ଦେ । ପିଲା ପାଖକୁ ଯା । ଏକୁଟିଆ ଶୋଇଥିବ । ଆଲୋ ହେ, ଲୁହାକଣ୍ଟା ବକଟେ ତା କରତଳେ ପକେଇ ଦେଇଚୁଟି ?
କୁସୁମ- ହଁ ଦେଇଚି ।
ରଙ୍ଗୀ- ହଁ, ହଁ ଉତିଆଣି ପିଲା ପରା ! ଦେ କବାଟ ଦେ ।
(କୁସୁମ ଓ ରଙ୍ଗୀ ଆଈ ଦୁଆରକୁ ଗଲେ)
[ପ୍ରଭାତର ଆସ୍ତରଣ ସୃଷ୍ଟି । ଅଦୂରେ ରଥିଆ ଗାଉଛି ହଳୁଆ ଗୀତ, କ୍ଷେତରେ ରଙ୍ଗୀ ଆଈ ଆସି ଗୀତ ଭିତରେ ତାକୁ ଡାକୁଛି]
ରଥିଆ-
(ଗୀତ)
ଆରେ, ଉଠାଇଲା ମେଘ କଳାହାଣ୍ଡିଆ ଲୋ
ବରଷିଲା ଆଣ୍ଠୁପାଣି,
ଦୂବ ହେଲା ଦାରୁ, ସାରୁ ଛତାତଳେ
ଡାକ ଦେଲା ବେଙ୍ଗରାଣୀ ।
ହୋ ବୋଇଲା, ବେଗେ ହଳକୁ ଦିଅ ମେଲାଣି ।
ବୁଆଳୁ ଗଛରେ ବଉଳ ଧଇଲା
କେଶୁର ମାଇଲା ଗଜା,
କୋଉ ପରବତେ ରହିଲେ ରଜା ଲୋ,
ଖାଇଲେ ଖୁସିରେ ଖଜା ।
ହୋ ବୋଇଲା, ରାଣୀ ମାଇଲେ ବରଷା ମଜା ହୋ ।
ରଙ୍ଗୀ- ଆରେ ରଥିଆ ! ଟିକିଏ ଆଇଲୁ ରେ ପୁଅ, ତୋ ଘରଠି ଖୋଜି ଆଇଲିଣି, ତେହିଁକି ଏଡ଼ିକି ସହଳ ହଳ ମେଲି ଦେଲୁଣି ବୋଲି କିଏ ଜାଣିଚି ?
ରଥିଆ- ଆଲୋ ଆଈ, ଦେଖୁନାହୁଁ ହିଡ଼ମୁଣ୍ଡରେ ଗଣ୍ଠିଲିକି । ଖାଲି କିଆରୀଟା ଠିରିକି ଯିବ ବୋଲି ଦି ଓଡ଼ କେମିତି ବୁଲେଇ ଦେଇ, ଏଇଆଡ଼େ ଏଇଆଡ଼େ ମାମୁଁଘର ଗାଆଁଆକୁ ସଳଖିବି ପରା ! ଭାଗୁଆଳି ଆସିବ ହଳ ଧରିବାକୁ ।
ରଙ୍ଗୀ- ଆରେ ପୁଅ ଟିକିଏ ଆ । ତୋ କକା କାଲି ଗୋଟେ କଅଣ ଚିଠି ଦେଇଥିଲା ଯେ ପଢ଼ିବାକୁ ତ କେହି ନାହିଁ; ତୋ ଖୁଡ଼ୀ ବାତିନିକି ଅନେଇଁ ବସିଚି ରେ ବାପା ! ଟିକିଏ ହଳ ବନ୍ଦ କରି ଆଇଲୁ ଚିଠିଟା ପଢ଼ିଦବୁ ।
ରଥିଆ- ମଲା ଯା-ବଳଦଟେ ନା ଟୋପେ ଦୁହଁ । କିଲୋ, କୋଉ କାଳେ ବାପା ମତେ ଚାଟଶାଳୀରେ ବସେଇଥିଲା ଯେ, ଖଡ଼ି ଛୁଉଁ-ଛୁଉଁ ଅବଧାନଟା ମଲା । ସେଇଠୁ ତ ମୋ’ର ପାଠ ସରିଛି । ଏବେ ଅକ୍ଷର ଭଲ ହେଇ ହେତୁ ହବ କି ନାଇଁ କେଜାଣି ! କଣ ‘କ, ବ, ଚ’ କରି ‘ଆ’ କାର ‘ଇ’ କାର ମଡ଼େଇ ଥିଲି ଯେ- ସେଥିରେ କଅଣ ହବ ? ଗାଆଁରେ ଆଉ କାହାକୁ ହେଲେ ପଢ଼େଇବୁ ଯାଆ ମ ।
ରଙ୍ଗୀ- ଆରେ, ଏ ଗାଆଁରେ ଆଉ କିଏ ପାଠୁଆଟେ ଅଛି ? ସଭିଏଁ ତ ମୂରୁଖ । ବୁଢ଼ାକାଳେ କଅଣ ସବୁ ପାଠ ଅନୁକୂଳ କରୁଛନ୍ତି ଯେ, ସେ ମାଷ୍ଟର ତ ଆସୁ ଆସୁ ରାତି ହବ । ଦେ’ ମ ତୁ ଖଣ୍ଡି ଅକ୍ଷରିଆ କରି ଟିକିଏ ପଢ଼ିଦେଲୁ । ଠିକେ ଠିକେ ଖବରଟା ବାରିହେଲେ ହେଲା । ଆ ଟିକିଏ । ଖୁଡ଼ୀଟା ପରା ତୋର ଚାତକ ପରି ଅନେଇ ବସିଛି । (ଚିଠି ରଥିଆକୁ ଦେଲା)
ରଥିଆ- (ଚିଠି ଦେଖି) କାଇଁ, ଦେଲୁ ଦେଖିବା । (କ୍ଷଣକ ପରେ) ହଇ ଲୋ ରଙ୍ଗୀ ଆଈ ! କଅଣ ପଢ଼ିବ ? କ’କା ତ ନାଇଁ । ନେ, ନେ, .......(ଚିଠି ଫେରାଇ ଦେଇ କିଆରୀ ଆଡ଼କୁ ବାହାରିଲା)
ରଙ୍ଗୀ- ଆରେ କଅଣ କହୁଛୁ ? କକା ନାଇଁ ? ଆଲୋ, ମୁଁ କୁଆଡ଼େ ଯିବି ଲୋ ! କଅଣ ବୋଲି ଏ କଥା କୁସୁମକୁ କହିବି ଲୋ ! ହା’ରେ ଦଇବ ! ରସିଆ ରେ ! ପୁଅମୁହଁ ଟିକିଏ ଦେଖିଲୁ ନାଇଁ ରେ ରସିଆ ! ଏ ରଥିଆ, ତୁ ଟିକିଏ ଯାଆରେ ହେଲେ ଖୁଡ଼ୀକି ବୋଧ ଦବୁ । ମୁଣ୍ଡ ପିଟିଦେବ ରେ ସିଏ- ଏ ରଥିଆ - ଏ ରଥ ........
(କାନ୍ଦି କାନ୍ଦି କହିଲା । ଅଳ୍ପଦୂରରୁ ହାଁ, ହାଁ, ହାଁ ଶୁଣାଯାଉଥାଏ) ।
ରଥିଆ- ଦେଖୁଚୁ, ଦେଖୁଚୁ, । ହଳଟା ପଳେଇଗଲା । ହ, ହ କସରା ! ହା ତୋ ଗୋସେଇଁଖିଆ ବଳଦ । ହ କଜଳା, ହ କଜଳା......... (ଦଉଡ଼ି ଦୂରକୁ ଚାଲିଗଲା)
ରଙ୍ଗୀ- (ଚମକିଲା ପରି) ଏଁ ? ଏଁ ? ଆରେ କଅଣ ସତ କହୁଚୁ ତୁ ? ଟିକିଏ ଭଲ କରି ପଢ଼ିଲୁ ନାଇଁ ହେଲେ......
(ରଙ୍ଗୀ କାନ୍ଦି କାନ୍ଦି ଅନ୍ୟଦିଗରେ ଚାଲିଗଲା)
(ରସିଆର ଘର । ତା’ ସ୍ତ୍ରୀ କୁସୁମ କାନ୍ଦୁଛି । ରଙ୍ଗୀ ତାକୁ ବୋଧ ଦେଉଛି ।)
କୁସୁମ- (କାନ୍ଦି କାନ୍ଦି) କି କାଳେ ମୋତେ କି ଦଣ୍ଡ ଦେଲୁ ରେ ଦଇବ ! ମୁଁ କି ବୋଲି ଦାଣ୍ଡରେ ମୁହଁ ଦେଖାଇବି ଲୋ ଆଈ ! କାହାର ମୁଁ କି ଦୋଷ କରିଥିଲି ରେ ଦଇବ !
ରଙ୍ଗୀ- (କାନ୍ଦି କାନ୍ଦି) ଆଲୋ, ତୁନି ହୁଅ ଲୋ ଝିଅ ! ଯା, ଆଗେ ପିଲାଟାକୁ ଟିକିଏ କ୍ଷୀର ଦେ; ତା ତଣ୍ଟି ପଡ଼ିଯିବ ଲୋ । କଅଁଳା ପିଲା ! କାଲିକି କାଲି ସେଇ ଥିଲେ ସଞ୍ଜ-ସଳିତା ହେଇ ଦୀପ ଟେକିବ ଲୋ ତୋର ! ତୁ ନ’ଖାଇ ନ’ପିଇ କତରା ଲଗା ହେଇପଡ଼ିଲୁ ଯେ- ସଂସାର ତ ଏଇଆ ଲୋ ମାଆ ! ଯା, ତୁ ଉଠିଲୁ । ପିଲା ବାଳୁତ ! ତାକୁ ଆଗେ ଟିକିଏ ସମ୍ଭାଳ ଲୋ !
(କବାଟରେ ଧକ୍କା ବାଜିଲା)
ନେପଥ୍ୟ- କବାଟ ଫିଟା, କବାଟ.......।
ରଙ୍ଗୀ- କିଏ ମ ଏତେ ରାତିରେ ? କିଏ ଡାକୁଚ ?
ରସିଆ- (ବାହାରୁ) କିଏ ରଙ୍ଗୀଆଈ କିଲୋ ? କବାଟ ଫିଟା, କବାଟ ଫିଟା ।
ରଙ୍ଗୀ- କିଏ ମ ତୁ ? ନାଆଁ କହୁନୁ ।
ରସିଆ- ଆଲୋ ଆଈ ତୋ’ରି ନାଗର ଲୋ ! ଶାଢ଼ୀ, ଶଙ୍ଖା ଆଣିଚି ଲୋ, କବାଟ ଫିଟା । ତୁଣ୍ଡ ବାରିପାରୁନାହୁଁ ? ଏଡ଼େ ବେଗେ ପର କରିଦେଲୁ ?
କୁସୁମ- କିଏ କିଲୋ ଆଈ ? ୟେ ତ
ରଙ୍ଗୀ- କେଜାଣି କୋଉ ବାଡ଼ିପଡ଼ା, ଏତେ ରାତିରେ ? କଥାର ଛଇ ଦେଖ ! କହୁଛି କଅଣ ନା - ମୋ ନାଗର ! ମୋର ଏଣେ ଘର ବୁଡ଼ି ପାଣି ଆଣ୍ଠୁଏ, ତା’ ଟାହୁଲୀ ଦେଖ ! କିଏ ମ ତୁ ଛତରା ! ନାଁ କହିମରୁନଉଁ ?
ରସିଆ- ଆଲୋ ଚିହ୍ନିପାରୁନାଉଁ ? ମୁଁ ରସିଆ, ରସିଆ ।
ରଙ୍ଗୀ- ହଇରେ, ହଇରେ, କଅଣ କହୁଛୁ ? ରସିଆ ! ଆଉ ବେଳ ନଥିଲା ତୋତେ ଟାପରା କରିବାକୁ ? ଦବୁଟି ଲୋ କୁସୁମ, ପାଞ୍ଚଣଟା । ରହ ରହ, ଏଇନେ ତୋ ଟାହୁଲୀ ଛଡ଼େଇଦେବି । କେଡ଼େ ବଡ଼େଇ ତୋର ରେ ରଈଜଳା ! ପୋଡ଼ା ଘାଆରେ ଚୁନ ପିଚିକା ଦଉଛୁ ? କିଏ ରେ ତୁ ଗଜାବଅସିଆ ଛତରା ? ଯାଉଛି ରହ ।
(କବାଟ ଫିଟାଇଦେଲା)
ରସିଆ- (ହସି ହସି) କିଲୋ ଆଈ ! କାହିଁକି ଗାଳି ଦେଉଥିଲୁ ଏତେ ? ହଉ ହଉ, ହେଲା; ତୋ ଗାଳି ମୋର କଇଲାଣ ଲୋ ଆଈ ! (ଘରକୁ ଆସିଲା)
ରଙ୍ଗୀ- ଏଁ ? ରସିଆ ! ତୁ......(ଜିଭ କାମୁଡ଼ି ପକାଇଲା)
କୁସୁମ- (କାନ୍ଦି) ହାଁ, ମୋ ଗୁଣର ମଣି !
ରସିଆ- ଆରେ, ଆରେ କଥା କଅଣ ? କାନ୍ଦୁଛ କାହିଁକି ? କଅଣ ହେଲା ? ହାତରେ ଖଡ଼ୁ ନାଇଁ କି କାଚ ନାଇଁ- ମୁଁ ଜୀଇଁ ଥାଉଁ-ଥାଉଁ...
ରଙ୍ଗୀ- ଆରେ, ଜୀଇଁଥାଆ ରେ ପୁଅ ! ଯୁଗ-ରାଇଜ କର । ନଖେ ଆଈଷ ପାଆ ରେ ନାତି ! ମୋ ଆଖିକି ତ ମୋର ପରତେ ଆସୁନାଇଁ ରେ ରସିଆ !
ରସିଆ- କଅଣ, କଥା କଅଣ ? ମୋ ଚିଠି କଅଣ ପାଇନା ?
ରଙ୍ଗୀ- ଚିଠି ? ଆରେ ସେ କଥା ଆଉ କାହିଁକି କହୁଚୁ ? ଏ କୁସୁମ ! ଆଲୋ ପଛେ କଥା କହିବୁ ଲୋ । ମୋ’ରି ହାତରୁ ଆଗେ କାଚ ଦି’ପଟ...ଆସିବୁଟି, ଆସିବୁଟି - ପିନ୍ଧେଇଦିଏଁ । ନେ ଲୋ ! ମୋ ପାକଲା ବାଳରୁ ସୁନ୍ଦର ଟିକିଏ ନାଇପକା ।
(କାଚ, ସିନ୍ଦୂର ପିନ୍ଧାଇଦେଲା କୁସୁମକୁ)
ରସିଆ- କିଲୋ, କଥା କଅଣ ? ମୁଁ ତ କିଛି ବୁଝିପାରୁନାହିଁ ।
ରଙ୍ଗୀ- ଆରେ ପୁଅ, ତୋ ଚିଠି ପଢ଼ାଇବାକୁ ସାଇରେ ତ କେହି ନାହାନ୍ତି । ରଥିଆକୁ ଦେଲି ଯେ, ସେ ନିଆଁସିଆ କହିଲା- କକାନାଇଁ ।
ରସିଆ- ଏଁ ? କଅଣ ହେଲା ! କକା ନାଇଁ ? ଏ କଥା ପୁଣି ରଥିଆ କହିଲା ? ଯେତେ ଭାତହାଣ୍ଡି ଅଲଗା ଅଲଗା ହେଲେ, ରକତ ପରା ଏକା ଲୋ ? ମୁଁ ତା’ କକା, ତା ତୁଣ୍ଡରୁ ପୁଣି ଏକଥା ବାହାରିଲା ? ଡାକିଲୁ, ଡାକିଲୁ ତାକୁ ଟିକିଏ ମୋ ଆଗକୁ । ଡା’କ୍ ଡା’କ୍ ମ ରଙ୍ଗୀ ଆଈ !
ରଙ୍ଗୀ- ଡାକିବି ନାଇଁ ? ଛତରାକୁ ଡାକିଆଣି ରୁଜ୍ ନ କରେଇ ଛାଡ଼ିଚି ମୁଁ ? (ଚାଲିଗଲା ଦୁମ୍ଦୁମ୍ ହୋଇ)
ରସିଆ- ଓ ହୋ ! ରାମ ରାମ ! ହଉ, ପୁଅ କାଇଁ, ଆଣିଲ । ଟିକିଏ ଧରିପକାଏଁ କୋଳରେ ଆଗ ।
କୁସୁମ- ଶୋଇଚି ସେ-ନ ଖାଇ ନ ପିଇ ।
ରସିଆ- କଅଣ ହେଲା ? ଛୁଆ ମୋର ନଖାଇ ନପିଇ ଶୋଇଚି ? ତମେ ଦି’ ଅକ୍ଷର ପଢ଼ିଥିଲେ ତ, ଆଜି ହାତରୁ ଖଡ଼ି କାଚ କଢ଼ାହୋଇ ନଥାନ୍ତା । ଛି ଛି ! ଛୁଆ ମୋର ଅରକ୍ଷିତ ପିଲାପରି ଗଡ଼ି ସଢ଼ିଯାଉନଥାନ୍ତା ।
କୁସୁମ- ଆଉ ? ମୁଁ ତେହିଁକି କି ପାଠ ପଢ଼ିଥାଆନ୍ତି ମ ? ମାଇପି ଜନମ ତ ଚୁଲିମୁଣ୍ଡକୁ ।
ରସିଆ- ଆଉ କଅଣ କହନ୍ତ କି ତୁମେ ? ମାଇପେ ଯେ କେତେ କେତେ କାମ କଲେଣି, ସେ କଥା କଅଣ ଜାଣୁଚ ନା ଶୁଣୁଚ ? ହଉ, ଛାଡ଼ ଛାଡ଼, ମୋର ହୋବ୍ ନାହିଁ, ତମର ଏ କାଣ୍ଡ କାରଖାନା ଦେଖି । ମଦନା, ଏ ମଦନା !
ମଦନା- (ନେପଥ୍ୟରୁ) ଆଜ୍ଞା !
ରସିଆ- ଆରେ ବସିଛୁ ? ଯିବଟି ଯିବଟି, ମଦନାଠଉଁ ମୋ ସୁଟ୍କେଶ ଆଉ ଗଣ୍ଠିଲି ନେଇଆସିବ ଟିକିଏ ।
କୁସୁମ- ମୁଁ କୋଉଠିକି ଯିବି ମ । କୋଉ ମଦନା ସେ ?
ରସିଆ- ଏଇ କଇଁନ୍ତାପୁଅ ମ ।
କୁସୁମ- ହାଡ଼ିଆଣୀ କଇଁନ୍ତା ! କଲିକତା ଯାଇ ଜାତି-ଗୋତ୍ର ସବୁ ବୁଡ଼େଇଲ ତେହିଁକି ?
ରସିଆ- କାହିଁକି ? କଅଣ, ହେଲା କଅଣ ? ମଦନା ଛୁଇଁକରି ଆଣିଲା ବୋଲି ଦୋଷ ହେଲା ? ତା ରକ୍ତ କଳା, ଆମ ରକ୍ତ କଅଣ ନାଲି ? ଛେଃ- ଏଇଗୁରାକ ଗଣ୍ଠିକରି ବସିଥା - ଆଉ ଏଣେ ଗିରସ୍ତ ଥାଉଁ ଥାଉଁ ଦିନକୁ ତିନି ଥର ବିଧବା ହଉ ଥା ।
କୁସୁମ- ହ, ହ, ଥାଉ । ତମେ ଯା ଆଣିବ, ମୁଁ ଛୁଇଁବି ନାହିଁ ।
ରସିଆ- କଇଁନ୍ତା ହାଡ଼ିଆଣୀ ଏଡ଼େ ଛୋଟ ହୋଇଗଲା ? ତେବେ ତ ଆପଣା ମାଆକୁ ଛୁଇଁ-ଯୋଗାଏ ନାହିଁ ।
କୁସୁମ- ମଲା ! ମାଆ ଆଉ କଇଁନ୍ତା ହାଡ଼ିଆଣୀ ?
ରସିଆ- ଜାଣ, ମାଆ ସିନା ଖାଲି ପିଲାଦିନେ ଗୁହମୂତ କରିଥାଏ - କୁସୁମ ପରା ଜୀବନଯାକ ଗୁହମୂତ ପୋଛେ । ମାଆଠୁ ସେ ବଡ଼ । ଜାତି-ବାରଣ କଥାଟା ତମ ସୁବିଧା ଉଠେଇବାକୁ, ତମେସବୁ ସୃଷ୍ଟି କରିଚ । ହଉ ହଉ ଛାଡ଼, ମୁଁ ଆଣୁଚି । (ବାହାରକୁ ଗଲା । ବାହାରେ ସୁଟ୍କେଶ୍ ଥୋଇବା ଶବ୍ଦ) ହଉ ଯା- ନେ ତୋ ପଇସା ।
(ଜିନିଷପତ୍ର ସହ ରସିଆ ଘରକୁ-ଆସିଲା)
କୁସୁମ- ଉହୁଁ, ସେଇ କଣକୁ ଅଣଆଡ଼ିଆ କରି ରଖ । କାଲି ସକାଳେ ସତୀ-ଗଡ଼ିଆରେ ଧୋଇଧାଇ ଆଣିବି ମୁଁ ।
ରସିଆ- କଅଣ ଲୁଗାପଟାରେ ଅଧିକ ମଇଳା ବୋଳିବାକୁ ସତୀ ଗଡ଼ିଆରେ ଧୋଇବ ? ଆହା ! ହା ! କୋଉ ସାଆନ୍ତାଣୀ ସେଠି କୋଉ ଯୁଗରେ ସତୀ ଯାଇଥିଲେ କେଜାଣି ! ଏଇନେ ମୁଁ ସେଇବାଟେ ଆସିଲି ଯେ-ଓଃ, ନାକ ଫାଟିଯାଉଚି ଗନ୍ଧରେ; ହୁଡ଼ାଟା ତ ଗାଆଁ ଯାକର ପାଇଖାନା । ସେଇ ମଇଳାତକ ବର୍ଷାପାଣିରେ ଧୋଇ ଗଡ଼ିଆରେ ପଶୁଚି । ସେଇ ଗୁହଗୋଳା ପାଣି ପବିତ୍ର ହୋଇଗଲା ? ଆଉ ମଦନା କଥା କହିଲ ଯେ, ଯେବେ ଅବା ସେ ମଇଳା ସଫା କରୁଥିବ, ତେବେ ହାତକୁ ତ ଆଉ ଅଧୁଆ ରଖୁ ନଥିବ ? ସେଇ ହାତରେ ତ କାରବାର କରୁ ନ ଥିବ ? ଜିନିଷଗୁଡ଼ାକ ସେ ଛୁଇଁଦେଲା ଯେ ମାରା ହୋଇଗଲା କଅଣ ? ଗାଆଁ ଦାଣ୍ଡ ପୁଣି ଯାହା ହେଇଛି - ପଙ୍କ ଗୋବରରେ ସାନ୍ଧି ହୋଇ ରହିଚି । ନାଳିଆଟେ ଦାଣ୍ଡ କଡ଼ରେ ଖୋଳିଦେଲେ ପାଣି ବାହାରିଯାଆନ୍ତା ନାଇଁ ? ଏଗୁରାକ କଅଣ କିଏ କାହାକୁ ବତାଇବା କଥା ? ଏଭଳି ଜାଗାରେ ରହିଲେ, ନାହିଁ ନୋଇଲେ ତ ବଇଦ ଖୋଜା ପଡ଼ିବ । ଛି ଛି । ‘ମୁଖେ ରାମ- ପଦେ ଧ୍ୟାନ’ ଏମିତିକରି କେମିତି ଯେ ମୁଁ ଦାଣ୍ଡଟା ପାରହେଲି, ତା’ ମୋ ମନ ଜାଣେ । ଗୁରାଏ ମଲେ ଯାଇଁ ଏ ଲୋକେ ଟିକିଏ ଚେତିବେ ।
କୁସୁମ- ମଲା, ଏଣେ ତ ଘରେ ଜର, ସର୍ଦ୍ଦି, କଫ ଖୁନ୍ଦି ହୋଇଛି । କାଶି ପଧାନରେ ଭେଣ୍ଡା ପୁଅଟା ପରା ଦି’ଦିନ ଜରରେ ଚାଲିଗଲା ।
ରସିଆ- ଯିବ ନାଇଁ ? ଗାଆଁଟାଏ, ଏତେଗୁରାଏ ଲୋକ ! ଘଡ଼ିଏ ଲାଗିଗଲେ ଗାଆଁଆ ନିର୍ମଳ ହୋଇଯିବ । ଏଥିରେ କଅଣ ଖର୍ଚ୍ଚ ଅଛି ନା ଗୁରାଏ ଦିହକୁ ବାଧୁଚି ? ରହୁଚ ଯୋଉ ଘରେ ତାକୁ ଫେର୍ ଝାଡ଼୍-ଝୁଡ଼୍ କରୁଚଟି ? ନିଜ ଦେହକୁ ଘଷାମଜା କରୁଚଟି ? ଆଉ ଗାଆଁଟା ହେଲା ସଭିଙ୍କ ଘର; ତାକୁ ସଫା କରିବାକୁ ବାଧୁଚି ଆମ ଲୋକଙ୍କୁ ? କିଓ, ପାଳିକରି ପାଞ୍ଚ ପାଞ୍ଚ ଜଣ ଲାଗିଗଲେ ଗାଆଁ ହସି ଉଠିବ ନାଇଁ ? (ରଙ୍ଗୀ ଆସିଲା)
ରଙ୍ଗୀ- ହଇରେ, ତୁ ଏଇଠି ସେତିକିବେଳୁ ଠିଆହୋଇ ଗପୁଚୁଟି ?
ରସିଆ- ଆଉ କଅଣ କରିବି ? ଦେଖୁନୁ । ଗୋଡ଼ହାତ କି ଅସନା, ପଙ୍କ କାଦୁଅ, ଧୋଇ-ଧାଇ ହେଲେ ତ ଯୋଉ କଥା । ରଥିଆ କାଇଁ ? ଆଇଲା ନାହିଁ ?
ରଙ୍ଗୀ- ଆସୁଚି - ହେଇଟି ଆଇଲାଣି ତ ।
(ରଥିଆ ଆସି ଦଣ୍ଡବତ କଲା)
ରସିଆ- ହଇରେ ରଥିଆ ! ଯେତେ ଭାଇ, ସେତେ ଘର । ତା’ ବୋଲି ବାପ କିଏ, କକା କିଏ ? ମୁଁ ଜୀଇ ଥାଉ ଥାଉ ତୁ ତୋ ଖୁଡ଼ୀକି ରାଣ୍ଡ କରେଇଲୁ ?
ରଥିଆ- ଆଲୋ କକା; ମୁଁ ତ କିଛି ଜାଣିନାଇଁ । ଏ ଆଈ ମତେ ଚିଠି ନେଇ ଦେଖେଇଲା । ମୁଁ ମନା କରୁଚି, ପଢ଼ିଜାଣିବି ନାହିଁ ବୋଲି । ଅବଧାନ ପାଖରୁ ତ କ, କା ଯାଏ ପଢ଼ିଥିଲି । ଚିଠିରେ ତେହିଁକି- କ, କା କେଉଁଠି ପାଇଲି ନାହିଁ । ସେଇଆ ତ କହି ବଳଦ ପଲେଇଲେ ଯେ, ...ମୁଁ କଅଣ ହେଲେ ଥେଲି କି ? ମାମୁଘରୁ ପରା ହେଇଟି ଗୋଡ଼େ ଗୋଡ଼େ ଆସୁଚି । ମୁହଁ ହାତ ଧୋଇନାହିଁ, ରଙ୍ଗୀ ଆଈ ତୁଚ୍ଛାଟାକୁ ମୋତେ ଯେତେକ ଗାଳି ଦେଇ ଡାକିଆଣିଚି ।
ରସିଆ- ଛି, ଛି, ଛି, । ମୂର୍ଖ ହେଲେ ଏଇଆ ହୁଏ ରେ ! କଅଣ କହିବା ତୋତେ ? ହଇରେ, ଆମ ଗାଆଁରେ ବଡ଼ ବଡ଼ଯାକ ପଢ଼ିବା ପାଇଁ ପାଠଶାଳା କଅଣ ଖୋଲା ହୋଇନାଇଁ କି ରେ ରଥିଆ ?
ରଥିଆ- ହଁ, ଗୋଟେ କଅଣ କରୁଚନ୍ତି ଯେ, କେହି ମନଯୋଗ କରି ସେଠିକି ଯାଉନାହାନ୍ତି ତ ।
ରସିଆ- ହଁ କାହିଁକି ଯିବ ? ଜୀଇ ଥାଉ-ଥାଉ ବୋପା କକାଙ୍କୁ ମାର- ମାଆ, ମାଉସୀଙ୍କି ରାଣ୍ଡ କର । ପାଠଗୁରା କାହିଁକି ପଢ଼ିବ ? ସେଗୁଡ଼ାକ ଦିହରେ ଯିବ ନାଇଁ ମ । କିରେ, ଏ ସଜ ଛାଡ଼ିଆସେ ? ବିଲ କାମଦାମ ସାରିଆସି ଘଡ଼ିଏ ସେଠି ବସିବ, ଗୁଣ କି କିଏ ନେଇଯିବ ଦିହରୁ ରେ ? ହଉ, ହଉ, ମୁଁ ତ ଆଉ କଲିକତା ଯାଉନାହିଁ; କାଲି ତା’ର ବରାଦ କରୁଚି । ଆରେ ବେଶି ନ ହେଲା ଚିଠିଖଣ୍ଡେ ତ ପଢ଼ିବ, ହିସାବଟେ ତ କରିବ । ଭାଗବତ ଅଧାଟାଏ ହେଲେ ତ ପଢ଼ିବ ରେ ! ହଉ ଯା, ଯା, ୟେ ତୋ ଦୋଷ ନୁହେଁ ଯେ, ତୋ ମୂରୁଖପଣିଆଁ ଦୋଷ । ହଉ ଯା, ଘରକୁ ଯା ।
ରଙ୍ଗୀ- ଆଉ ତୁ ଥାଇ କଅଣ ଶୁଣୁଛୁ କି ଲୋ କୁସୁମ ? ପୁଅକୁ ଟିକିଏ ଆଣି ବାପକୋଡ଼ରେ ଦେ । ଯା, ଧଅସି ଚୁଲିରେ ନାଗୁଆଣୀ ପକା ଲୋ । ବାଧୁଣିଆଁ ହେଇ କେତେ ବାଟରୁ ଆସିଛି । ଯାଉଚି, ଆମ ଘରେ କଅଣ ପରିବାପତର ଥିବ ଦେଖେଁ । ଯା, ଆଲୋ ମନ ମାରି ଆଉ ଠିଆହେଲୁ କାହିଁକି ଯା-ମ । ମୁଁ କବାଟ ଆଉଜେଇ ଦେଉଛି । ଟିକିଏ ହସା ହସି ହେଇପଡ଼ିବଟି ଦିଇ ପରାଣୀଯାକ ।
କୁସୁମ- ମଲା ଲୋ ! ଏ ବୁଢ଼ୀକାଳେ ଆହୁରି ତୋର ସେଇ...
ରଙ୍ଗୀ- (କବାଟ କିଳିନେଇ ଚାଲିଗଲା) ଆଲୋ ! ଦେଇଗଲି ଲୋ କବାଟ । କିଳି ଦେଇଗଲି, ଗାଳି ଦଉ ଥା ।
(ରସିଆ ଓ କୁସୁମ ହସିଉଠିଲେ)
କୁଶୀଲବ
ପୁରାଣ ପଣ୍ଡା- ଗ୍ରାମର ପୁରାଣ-ପାଠକ ।
ଦଳବେହେରା- ମାଣିତ୍ରୀ ଗଡ଼ର ମୁଖିଆ ଲୋକ ।
ଖୋରଧାର ଇଂରେଜ ଶାସକ ।
ନାଏବ- ଶାସକଙ୍କ ଉଚ୍ଚ କର୍ମଚାରୀ ।
ସୁବେଦାର, ବନମାଳୀ, ରଘୁନାଥ, ଗୋପୀ, କେଉଟ:- ଗ୍ରାମବାସୀ
ବରକନ୍ଦାଜ : ଦୁଇଜଣ
ସଉରୀ ମାଆ- ବୁଢ଼ୀ
[ମାଣତ୍ରୀ ଗାଆଁ ମଝିରେ ଭାଗବତ ଘର । ପୁରାଣ-ପଣ୍ଡା ବସି ପୁରାଣ ପଢ଼ୁଥିଲେ । ଗାଆଁର କେତେଜଣ ବସି ପୁରାଣ ଶୁଣୁଥିଲେ ।]
ପୁରାଣ ପଣ୍ଡା- ସଭାରେ ବସିଅଛି ପ୍ରତାପୀ କଂସାସୁର
ବେଢ଼ି ରହିଛନ୍ତି ଯେତେ ଅସୁର ବଳ ।
ନାରଦ ମହାମୁନି ହୋଇଲେ ପରବେଶ
ଦେଖି କଂସାସୁର ପୁଚ୍ଛଇ ସନ୍ଦେଶ ।
ଜାଣ ତ ମହାମୁନି ମୋହର ବଳ ଯେତେ
ଜିଣିଲି ବାହୁବଳେ ସ୍ୱରଗ ପରିଯନ୍ତେ ।
କିଏ ସେ କହ ମୋର ଭଗାରି ଅଛି କାହିଁ ?
ତୁମ୍ଭେ ତ ତ୍ରିକାଳଜ୍ଞ ଭବିଷ୍ୟ କହ ଚାହିଁ ।
ନାରଦ ବୋଇଲେ ତୋ ଭଗାରି ଚକ୍ରଧର
ଜନମ ଲଭିବ ସେ ଦେବକୀ ଗର୍ଭର ।
ଏହା ଶୁଣି ଅସୁର କମ୍ପଇ ଥରହର
ରଙ୍ଗ ନୟନୁ ହେଲା ଅଗ୍ନିକି ବାହାର !
ଭଉଣୀ ଭିଣୋଇଙ୍କୁ ଆଣିଲା ଧରାଇ
କହିଲା ରଖିଦିଅ ବନ୍ଦୀଶାଳେ ନେଇ ।
ଦେବକୀଗର୍ଭେ ଯେତେ ସନ୍ତାନ ଜନମିବେ
ଗୋଟି ଗୋଟି କରି ସେ ମୋ ହାତେ ନାଶଯିବେ ।
କଂସର ଅତ୍ୟାଚାର ବଚନ ନୁହେ କହି
ଥରଥର କମ୍ପଇ ରାତ୍ରିକି ଦିନ ମହୀ ।
କୋପରେ କଂସାସୁର ମନ୍ତ୍ରୀରେ କହେ ରାଇ
ନାରାୟଣପୂଜା ମୋ ରାଜ୍ୟରେ ହେବ ନାହିଁ ।
ପୂଜା କରିବ ଯେହୁ ମାନି ଆଜ୍ଞା ମୋର
ନାଶ କରିବ ନିଶ୍ଚେ ସ୍ୱହସ୍ତେ ବଂଶ ତାର ।
ଏମନ୍ତ ଶୁଣି ଭୟେ କମ୍ପଇ ତିନିପୁର
ତ୍ରାହି ତ୍ରାହି ଡାକିଲେ ଦେବତା ନାଗ ନର ।
(ହଠାତ୍ ବନମାଳୀ ବୋଲି ଜଣେ ଗାଆଁ ବାଲା ଭାଗବତ ଟୁଙ୍ଗୀରେ ପହଞ୍ଚିଲା, ତାର ପାଦଠାରୁ ଆଣ୍ଠୁଯାଏ ଧୂଳି । ଆଖିରୁ ଲୁହ ବହିଯାଉଛି ।)
ବନମାଳୀ- ଦଳବେହେରା ସାଆନ୍ତ ! କଅଣ ଆଉ ପୁରାଣ ଶୁଣୁଚ ? ସରିଗଲା ଆମ କଥା !
ଦଳବେହେରା- କଅଣ ? କଥା କ’ଣ କିରେ ବନମାଳୀ ! ଏମିତି ଧୂଳିଧୂଷର ହୋଇଛୁ ? କୁଆଡ଼େ ଯାଇଥିଲୁ କି ?
ବନମାଳୀ- ଯିବ ଆଉ କୁଆଡ଼େ ଆଜ୍ଞା ! ସହିବା ସୀମା ବଳିଗଲା ଆମର ! ହଇଏ ଆଜ୍ଞା ! ବୋପା-ଅଜା ତେପନ ପୁରୁଷ ତ ନିଷ୍କର ଭୂଇଁ ଖାଇଆସିଲୁଁ - ଆଜି ଆମେ କର ଦେବୁ ? ତା’ ବି ସହିଲୁଁ । ହଉ ହେଲା, ରାଜ ଭାଗ କଥା, ନିଅ । ତା’ ପୁଣି କଉଡ଼ିରେ ହବ ନାହିଁ । କହୁଚି ଟଙ୍କାରେ ଆମକୁ କର ଦିଅ । ଟଙ୍କା ଆମକୁ ମିଳିବ କେଉଁଠୁ ଭଲା ? ମୁଁ କିଆରୀରୁ ବାହୁଡ଼ିଲା ବାଟରେ ମୋତେ ଅଟକାଇ, ଜୁଲମ ? ହେଇଟି ଦେଖ; ନୂଆ ଗାମୁଛାଟାଏ ଫଡ଼ା ଫଡ଼ା, (ଚିରା ଗାମୁଛା ଦେଖାଇଲା) କୋଉଠି ଥିଲେ ଏ ଅସୁରପଲ ? ସାତସମୁଦ୍ରର ତେର ନଈ ପାରିହୋଇ ଆମ ମୁଲକରେ ଆସି କଂସାସୁର ହେଇଚନ୍ତି । କଅଣ ଏଥିକି କିଛି ଉପାୟ ନାହିଁ ? ଆମର ତ ମୁଣ୍ଡ ଆପଣ, ପଦେ ପଚାରି ଦେଇ ତେଣିକି ଯାହା ହବ, ଦେଖାଯିବ ।
ଦଳବେହେରା- ଆହେ ବନମାଳୀ ! ଆପଣା ସୁନା ତ ଭେଣ୍ଡୀ; ଆଉ ବଣିଆ ସଙ୍ଗେ ଚୂଟି ଧରାଧରି କଲେ ଲାଭ କଅଣ । କାଠକୁ ଲୁହା କାଟେ । କେମିତି କାଟେ ? ସେଇ କାଠରୁ ଖଣ୍ଡେ ଲୁହା ପେଟରେ ପଶେ ବୋଲି ସିନା !
ରଘୁନାଥ- ସେଇଆ ପରା ଆଜ୍ଞା ! ଆମରି ଲୋକେ ତାକୁ ଭେଦ ବତାଉ ନଥିଲେ ଫିରିଙ୍ଗି ? -ନା ତାଙ୍କପରି ହଜାର ଗଣ୍ଡା ଆସିଲେ ଆମର କଅଣ କରନ୍ତେ ? କାଲିର ବାବନାଭୂତ ସେଇ ଚକରା, ଆଜି ସାଇବଘର ଦାନା ଖାଇ ତା ଆଖି ଓଲଟିଗଲା ? ମୁଣ୍ଡରେ ଖଣ୍ଡେ ନାଲି କନା ଭିଡ଼ିଦେଲା ବୋଲି ଆଉ ଇନ୍ଦ୍ର-ଚନ୍ଦ୍ର ମାନିବାକୁ ନାହିଁ ସେ । ପଶ୍ଚିମରାଏ ନାହାନ୍ତି । ଘରେ ତାଙ୍କର ଭୂଆଷୁଣୀ ଝିଅ-ବୋହୂ । ତାଙ୍କୁ ଆସି ମାଗୁଛି ଖଜଣା । ଓହୋ ! ତୁଣ୍ଡରୁ କି ଅଭାଷା କୁଭାଷା ବାହାରୁଚି ତା’ର ! ଏଗୁରାକ କାନରେ ଶୁଣି ଦେହ ଖାଲି ଜଳିଯାଉଚି । ରକ୍ତ ମାଂସ ଶରୀର କେତେ ସହିବ ?
ଦଳବେହେରା- ଆରେ ରଘୁ; ସହିଚ ବୋଲି ପରା ତୁମେ ଜୀଇ ରହିଚ ? ବକ୍ସିଙ୍କପରି କ୍ଷେତ୍ରୀ ତ ମୋଡ଼ିମାଡ଼ି ହୋଇ ରହିଲେ । ଜୟୀ ରାଜଗୁରୁ ତ ଦି’ଫଡ଼ା ହୋଇ ଚିରାହେଲେ । ସାଆନ୍ତ ରଜାମାନେ ତ ଦାନ୍ତରେ ତିରଣ ଧରି ଶରଣ ପଶିଲେ । ଆଉ ଆମେ ଏବେ କୋଉ ଗାଈର ଗୋବର ଯେ ? ତମର ତ ନିରକତି ଜୀବନ ! ବଣରେ ହାଉ-ହାଉ କରି ରଡ଼ିଲେ କିଏ ଶୁଣିବ ? କହିବି, -କଥା ମାନିବି ? ଶୁଣିବ ?
ପୁରାଣପଣ୍ଡା- କଅଣ ହେଲା ? ମାଣିତ୍ରୀଗଡ଼ର ମୁଣ୍ଡ ଆପଣ । ଆପଣ ପଦେ କହିବେ, ତା ପୁଣି ତଳେ ପଡ଼ିବ ? କାହିଁକି ? ଏ ମୁଣ୍ଡ ଥିଲେ କେତେ, ନଥିଲେ କେତେ ?
ଦଳବେହେରା- ଏଇ ଭାଗବତ ଘରେ, ପୁରାଣ ଆଗରେ ସବୁ ସତ କହୁଚ ? କଥା ରଖିବ ? ମାନିବ?
ସମସ୍ତେ- ହଁ ହଁ ଆଜ୍ଞା; ନିୟମ କରି କହୁଛୁଁ । ଦଳବେହେରାଙ୍କ କଥା ବେଦର ଗାର ।
ଦଳବେହେରା- ହଉ, ଭଲ । ହଇ ହେ ! ମୋଟକୁ ତ ଚୋଟ କାଟେ ନାହିଁ । ଆମେ ଗାଆଁ ଗାଆଁ ହୋଇ ଗୋଟାଏ ରାଜ୍ୟ । କେତେଜଣ ସେ ଗୋରା ସାଇବ ? ଆମେ ଅଡ଼ିବସିଲେ ଆଜି ରାଜ୍ୟ ଛାଡ଼ି ପଳେଇବାକୁ ତାଙ୍କୁ ରାହା ମିଳିବ ନାହିଁ । କହିଛି - ହପ୍ତାଏ ଛାଡ଼ି ଖଜଣା ଅସୁଲ କରିବାକୁ ଆସିବ ପରା ? ହଉ, ଆସୁ । ଦେଖାଯିବ ।
(ସଉରୀ ବୋଉ ବୁଢ଼ୀ ଡାକି ଡାକି ଆସିଲା)
ବୁଢ଼ୀ- (ଦୂରରୁ) ଭାଗବତ ଘରେ କିଏ ଅଛ ବାପା ! ଦଳବେହେରା ସାଆନ୍ତ ଏଠି ଅଛନ୍ତି ?
ଦଳବେହେରା- ହଁ, କିଏ ? ଆସ, ଏଣିକି ଆସ ।
ବୁଢ଼ୀ- ମୁଁ ସଉରୀ-ବୋଉ ହେ ସାଆନ୍ତ ! ସାଆନ୍ତ ! ତମେ ଅଛଟି ? ଓଡ଼ିଶା ମୂଲକରେ ମାଣିତ୍ରୀଗଡ଼ ନାଁ ପଡ଼ୁଥିଲା । ଏ ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ ଗରଭିଣୀ ଗାଈ ବାଟ ଛାଡ଼ୁଥିଲା । ତେମେ-ଆପଣ ଥାଉଁ ଥାଉଁ, ଗଡ଼ କଅଣ ନିମୁଣ୍ଡିଆ ହୋଇଗଲା ? ଭେଣ୍ଡା ମରଦ ପୁଅ କଅଣ ଏ ଗଡ଼ରୁ କୁଆଡ଼େ ଉଭେଇ ଗଲେ ?
ଦଳବେହେରା- କଅଣ ହେଲା ? କଥାଟା କଅଣ କହୁନା ମାଉସୀ !
ବୁଢ଼ୀ- ଆଉ ମୁଁ କହିବି କଅଣ ? ତେମେ ପଦେ କହିଦିଅ- ଆମେ ରାଣ୍ଡ ଛେଉଣ୍ଡ ଗାଆଁ-ମାଇପେ ମହତ ଘିନି ରହିବୁଁ କି କୂଅ-ପୋଖରୀ ଖୋଜିବୁଁ !
ଦଳବେହେରା- କଅଣ କଥାଟା କହ ।
ବୁଢ଼ୀ- ଆଉ କହିବି କଅଣ ? ଛାର ନୁଣମୁଠେ । କାଳ-କାଳକ ଦିହ-ଦିହକ ପିଲାଏ ଏମିତି ମାରିଆସୁଥିଲେ, ନା ଆଜି ନୂଆ କଥା ୟେ ? ଚାରିକୋଡ଼ି ହେଲା ବଅସ ମୋତେ ! କେତେ ରଜା ଅମଳ ଦେଖିଚି । ୟା ତ ଆଉ ଦେଖାଶୁଣା ନଥିଲା । ଚାଲ ଦେଖିବ ମୋ ନାତୁଣୀକି । ପିଠି ତା’ର ଆଉ ନାହିଁ । ନଅ ବରଷର ପିଲା । ତା ପିଠିରେ ପୁଣି ଘୋଡ଼ା-କୋରଡ଼ା ! ଗରଗର ହୋଇ ଫାଟି ନହୁନୁହାଣ ! ଚେତାବୁଡ଼ ହେଇ ପରା ପଡ଼ିଥିଲା । ରତନୀ, କେତକୀ ହେରିକା ତାକୁ ଟେକିଆଣିଛନ୍ତି । ସତେ କଅଣ ସେ ଆଉ ଜୀଇବ ! ଭଲା ଫିରିଙ୍ଗି ଅମଳ ହେଲା ୟେ !
ଦଳବେହେରା- ହଉ ମାଉସୀ ! ଘରକୁ ଯା; ମୁଁ ପଛେ ପଛେ ଯାଉଛି । ଦଳବେହେରା ଜୀଇ ଥାଉ ଥାଉ ଆଉ ଏ କଥା ଶୁଣିବ ନାହିଁ, କି ଦେଖିପାରିବ ନାହିଁ । ତୁମେ ଚାଲ ।
ବୁଢ଼ୀ- ହଉ । ତୁମେ ତ ପାରିବାର ପୁଅ । ଅଣ୍ଟ, ନିଅଣ୍ଟ - ଚଢ଼େଇ ଚିରିଗୁଣୀଙ୍କ ପେଟ ଚିହ୍ନିବାବାଲା । ଏଣ୍ଡୁଅ ଧାଉଁଡ଼ି ଶିଜୁବୁଦାମୂଳଯାଏ ସିନା ! ଆଉ କାହାକୁ କହିବୁଁ ! ତମ ଗାଆଁ, ତମ ଭୂଇଁ, ତମ କୂଳମହତ ରଖିଲେ ରଖିବ- ବୁଡ଼େଇଲେ ବୁଡ଼େଇବ । ଟିକିଏ ଆସିବ ବାପା ! ମୁଁ ଗଲି ।
ଦଳବେହେରା- ହଁ, ତୁମେ ଯାଅ । ମୁଁ ଯାଉଚି ।
(ବୁଢ଼ୀ ଚାଲିଗଲା)
(ଟିକିଏ ନୀରବ ରହି ଦଳବେହେରା ଗମ୍ଭୀରଭାବେ ଡାକିଲେ)
ଦଳବେହେରା- ରଘୁନାଥ !
ରଘୁ- ଆଜ୍ଞା !
ଦଳବେହେରା- ଗୋପୀ !
ଗୋପୀ- ଆଜ୍ଞା ! କହନ୍ତୁ ।
ଦଳବେହେରା- କାଲି ସକାଳେ, ରାତି ନପାହୁଣୁ ଗଡ଼ରେ ନାଗରା ଦିଅ- ଖଜଣା କେହି ଦେବେ ନାହିଁ । ଆମ ବାପଅଜା ଯେମିତି ନିଷ୍କର ଭୂଇଁ ଚଷି ଖାଇ ଆସୁଥିଲେ, ସେମିତି ଖାଇବେ । ସେମିତି ଲୁଣ ମାରିବେ, ସେମିତି ବଣରୁ କାଠ ହାଣିବେ । ଗଡ଼ମୁଣ୍ଡ ବାଟରେ ପର୍ବତପ୍ରମାଣ ଗଛଗଣ୍ଡି ହାଣି ଗଦା କର । ବଡ଼ ବଡ଼ ପଥର ପକାଅ । ବାଟକୁ ବନ୍ଦ କର । ଖଣ୍ଡାକୁ ସମସ୍ତେ ସାହାଣ ଦେଇ ରଖ । ଯେତେକ ଭେଣ୍ଡା ଅଛ, ବାହୁତୀ ବରଗଛମୂଳେ କାଲି ବେଳ ଦି’ଘଡ଼ିକି ଗାଧୋଇ ପାଧୋଇ ପହଞ୍ଚି ସଭିଏଁ ସିନ୍ଦୁର ଲଗେଇ ପାରିବ ?
ରଘୁ- ଆଜ୍ଞା ହଁ ।
ସମସ୍ତେ- ପାରିବୁ - ପାରିବୁ ଆଜ୍ଞା !
ଦଳବେହେରା- ତେଣିକି ଯାହା କରିବାକୁ ହେବ, ମୁଁ କରିବି । ବାଟଘାଟ ବନ୍ଦ ହେଲେ ଆମ ଲୋକଙ୍କୁ ଧାନ ଚାଉଳ ମିଳିବ ନାହିଁ । ସେତିକି ମୋର ଅମାର ଅଛି । ଦୁଇବର୍ଷ ଆଗେ ଖାଅ । ଆଖପାଖ ଗାଆଁକୁ ଏଇ ରାତି-ରାତି ଖବର ଚଳେଇଦିଅ । ସମସ୍ତେ ମେଣ୍ଟ ବାନ୍ଧ । ମୁଁ ଏ ମୁଣ୍ଡକୁ ପାଣି ଛଡ଼େଇଲି ।
ସମସ୍ତେ- ହରିବୋଲ ! ହରିବୋଲ ! ହରିବୋଲ !
(ସମସ୍ତେ ଉଠି ଠିଆହେଲେ)
(ମାଣିତ୍ରୀ ଗଡ଼ । ଦୂରରୁ ନାଗରା ଶୁଭୁଛି । ଦୁଇଜଣ ଗ୍ରାମବାସୀ କଥାବାର୍ତ୍ତା ହୋଇ ଆସୁଛନ୍ତି)
୧ମ ଗ୍ରାମବାସୀ- ହଁ, ଦଳବେହେରା ଯେତେବେଳେ ମୁଣ୍ଡ ପତାଇଛନ୍ତି, କଥାଟାର ଏପାର ସେପାର ନକରି ସେ ଛାଡ଼ିବା-ପୁଅ ନୁହନ୍ତି ।
୨ୟ ଗ୍ରାମବାସୀ- ସତ କହିଲୁ ଯେ ଭାଇ ! ଫିରିଙ୍ଗୀ ପରା ଥାନପତି ହୋଇ ବସିଗଲାଣି । ରାଜାରାଜୁଡ଼ା ସମସ୍ତେ ତା ଆଡ଼କୁ ଆଉଜି ପଡ଼ିଲେଣି । ଗୁଳି, ଗୁଳା ବାରୁଦ ସବୁ ଅଛି ତା’ର । ସମ୍ଭାଳି ହବଟି ?
୧ମ- ଆରେ, ଯାଉ ଜାନ୍ ଥାଉ ମାନ୍ । ଏମିତି ଜୀଇ ଥାଉଁଥାଉଁ ନିତି ମରୁଛେଁ- ସେମିତି ଗାଆଁ ଭୂଇଁ, ମାଆ ଭଉଣୀ, ଜାତି ମହତ ପାଇଁ ଲଢ଼ିକରି ଦିନେ ମରିବା । ଓଡ଼ିଶା ଖଣ୍ଡର ପାଇକ ପିଲାଟି । ଭୂଇଁରେ ପଡ଼ିଲାବେଳୁ ଲଢ଼େଇ କଥା କାନରେ ବାଜୁଚି ! ଡର କଅଣ ?
୨ୟ- ନାଇଁ, ସେତିକି ଡରନାଇଁ ଯେ ! ଲୋକ ଭେଳେଇପାରିଲେ ହେଲା । ଦେଶ ତାତି ରହିଚି । ଖାଲି ଟିକିଏ ନିଆଁ ଲଗାଇ ଦେବା କଥା । ଚାଲ, ବାହୁତୀ ବରମୂଳକୁ । କି ବିଚାର ପଡ଼ୁଚି ଆଗ ଦେଖିବା ।
୧ମ- ଆରେ, ଆଉ ଏଠି ଦେଖିବୁ କଅଣ ? କମ୍ପାନୀର ପଲଟଣ ଆସିବେ, ଦେଖାଦେଖି ସେଇଠ, ପରଖାପରଖି ତାଙ୍କରି ସାଙ୍ଗେ । ମଲାପରି ପଡ଼ିରହି ଆଉ କଅଣ କର ଗଣିବୁ ? ହଇ ରେ, ତେପନ ପୁରୁଷ ଆମର ନିଷ୍କର ବାହେଲ ଜମି ଭୋଗ-ଦଖଲ କରି ଆସିଲେ, ଆଜି ଆମେ ଗଣିବୁ କର ?
୨ୟ- ନା, ନା, ସେକଥା ହବ ନାହିଁ । ଭୂକର ଆମେ ଦବୁ ନାହିଁ କାହାରିକି । କଅଣ କରିବ ଫିରିଙ୍ଗୀ ? କଅଣ ହେବ ? ଜୁଲମ୍ ହେବ । ଘରଦ୍ୱାର, କଂସାଥାଳି, ସମ୍ପତ୍ତିବାଡ଼ି - ଚଳନ୍ତି ଅଚଳନ୍ତି ସବୁ କୋରଖ କରିବ । ଘର, ଗାଆଁ ଜଳେଇ ଦେବ-ଦେଉ । ବେଶି ହେଲେ, ତା କଥା ନମାନିଲା ବେଳକୁ...
(ଦୂରରୁ ତୋପ ଶବ୍ଦ ଶୁଭିଲା)
୧ମ- ହେଇ ରେ ! ତୋପ ଶୁଭିଲା । ସଭା ଆରମ୍ଭ ହେଇଯିବ । ଆଜି ବେଳ ବୁଡ଼ୁ-ବୁଡ଼ୁ ବଣରୁ କାଠ ଆଣି, ମୁଣ୍ଡିଆରୁ ପଥର ଗଡ଼େଇ ଆଗେ ବାଟଟାକୁ ବନ୍ଦ କରିଦେବା । ଗାଆଁ-ଗାଆଁକୁ ଖବର ଦେଇ ଲୋକ ଭେଳେଇବା । ତେଣିକି ଦେଖାଯିବ । ଆଗତ ପାଞ୍ଚ କାହିଁକି ?
୨ୟ- ନା, ଏକା ଭେଳାରେ ତ ବସିଛେଁ । ବୁଡ଼ିଲେ, ସଭିଏଁ ବୁଡ଼ିବା, ଜୀଇଁଲେ ରାମରାଜ୍ୟ ଆମର- ମହୀ ଭୋଗିବା । ତା’ ବୋଲି ଜଗନ୍ନାଥଙ୍କ ପା’ତଳ ଛଡ଼ା ଏ ଓଡ଼ିଆ ପୁଅର ଆଉ ପୁଣି କୋଉଠି ମଥା ନଇଁବ ? କୋଉଠୁ ଆଇଲା ଏ ପରଦେଶୀ ବେପାରୀ - ସେ ପୁଣି ହେବ ରାଜା-ବଣ କର ନବ ଭୂ-କର ନବ-ଲୁଣକର ନବ ? ସତେ ଯେମିତି ତା ମୂଳକରୁ ୟାକୁ ସବୁ ଆମପାଇଁ ବୋଇତରେ ଲଦି ଆଣିଥିଲା !
୧ମ- କହୁଚି କର ଦିଅ - ତା ପୁଣି କଉଡ଼ିରେ ନୁହେଁ ଟଙ୍କାରେ । ଟଙ୍କା କୋଉଠୁ ପାଇବୁଁ ? ଏ ଅନ୍ୟାୟ, ଅବିଚାର, ଏ ଦୌରାତ୍ମ୍ୟ କିଏ ସହିବ ରେ ? ମାରୁ-ମରିବା । ସବୁପ୍ରଜା ମୂଳପୋଛ ହୋଇଯିବା । ନଉ ସେ ତେଣିକି ବଣ, ପର୍ବତ ନଈନାଳଠୁଁ କର । ଜୀବନରେ ଥାଉ ଥାଉ ଅଦୌତି କିଏ ସହିବରେ ?
୨ୟ- ନା, ନା, ନା, -ତ୍ରିକାଳେ ଏ କଥା ହେବ ନାଇଁ...
(କହି କହି ଦୁହେଁ ଚାଲିଗଲେ)
[ଖୋରଧା କଚେରୀ-ଶାସକ ବସିଛନ୍ତି । ଜଣ କେତେ କର୍ମଚାରୀ ଠିଆହୋଇଛନ୍ତି । ପିଆଦା, ସିପାହୀ ଓ ସୁବେଦାର ଅଛନ୍ତି ।]
ସାହେବ- ନା ! ଦେବେ ନାହିଁ ?
ସୁବେଦାର- ହଜୁର ! ବହୁତ ବୁଝାଇ କହିଲୁଁ । ବିଲ୍କୁଲ ମନାକଲେ, ଏ ଚକରା ତାଙ୍କୁ ବି ଅନେକ କରି କହିଲା । ଆମେ କହିଲୁଁ- ଆମେ ତୁମ ଦେଶର ଲୋକ-ତୁମର ଭଲ ଚାହୁଁ । କର ଦେଇପକାଅ । ସୁଖରେ ଘରଦ୍ୱାର କରି ରୁହ । କାହିଁକି ମିଛରେ ଜନ୍ଦା-ପିମ୍ପୁଡ଼ିପରି ମରିବ ? ପାଣିଭିତରେ ଘରକରି କୁମ୍ଭୀର ସଙ୍ଗେ କି ବାଦ ? ଏକା ଜାଗାରେ ତୁମ ଆମ ଘର । ଆମ ଭଲକୁହା ମାନିଯାଅ ।
ସାହେବ- ଠିକ୍ ତ କହିଛ । ନା କଅଣ ନାଏବ ବାବୁ ?
ନାଏବ- ହଜୁର ହଁ । ସୁବେଦାର ଯେତେ ବୁଝାଇବାର ବୁଝାଇ କହିଛନ୍ତି ।
ସାହେବ- ତେବେ ସେମାନେ କି ଜବାବ୍ ଦେଲେ ?
ସୁବେଦାର- ଆଉ ସେ କଥା କାହିଁକି ପଚାରୁଛନ୍ତି ହଜୁର ? ଆମେ ଯେତେବେଳେ କହିଲୁଁ ଏକା ମାଟିର ଆମେ ସବୁ ବୋଲି, ମାଣିତ୍ରୀଗଡ଼ର ଜଣେ ପାଇକ ବାହାରିପଡ଼ି କହିଲା- ତୁନି ହୁଅ ହେ-କେତେ ଏକା ମାଟିର ବୋଲି କହୁଛ ? ଆମେ ଜାଣୁ ଏକା ମାଟିରେ କୁକୁର ଥାଆନ୍ତି; ଅଇଁଠା ଖଲି ପତର ଚାଟନ୍ତି-ପୁଣି ସେଇ ମାଟିରେ ଗୋ-ମାତା ଅଛି- ସେ ପୂଜା ପାଏ । ଏକା ମାଟିର ହେଲେ ବୋଲି କଅଣ ସଭିଏଁ ସମାନ ହୋଇଯିବେ ? କହୁଚ ଖଜଣା ଦବୁ ? କାଳ କାଳକ ତ ଦେଇ ଆସିନାହୁଁ । କିଏ ଆମଠୁ ଖଜଣା ନେବ, ଆସୁ- ତା ଆମର ଚିହ୍ନାଜଣା ହେବା-ମୁହାଁମୁହିଁ ।
ଶାସକ- (ରାଗି) ହୁଁ ! ଆମକୁ ଡାକୁଛନ୍ତି ତେବେ ? ଖୁବ୍ ତ ଦିମାକ୍ ! କମ୍ପାନୀ ବାହାଦୂରକୁ ଯୁଦ୍ଧ ଡାକରା ? ଆଚ୍ଛା ! ସେମାନେ କଅଣ ବକ୍ସିକୁ ଦେଖିନାହାନ୍ତି ? ଏତେ ବଡ଼ ବୀର ତ ହାରିଗଲା- ଆମର ବଶ ମାନିଲା । ଏମାନେ ତ ଛାର୍ । କହିପାରିବ ସୁବେଦାର କିଏ ସେମାନଙ୍କର ସର୍ଦ୍ଦାର ?
ସୁବେଦର- ହଜୁର ମାଣିତ୍ରୀଗଡ଼ର ଦଳବେହେରା । ତାଙ୍କରି ବଳରେ ଏମାନେ ସବୁ ନାଚୁଛନ୍ତି ।
ଶାସକ- ସେ କିଏ ? ତା କଥା ଲୋକେମାନେ କାହିଁକି ମାନୁଛନ୍ତି ?
ସୁବେଦାର- ହଜୁର । ସେ ବଡ଼ ଦୟାଳୁ ଲୋକ । ଭଲମନ୍ଦରେ ଲୋକଙ୍କୁ ସାହାଯ୍ୟ ହୁଅନ୍ତି । ଭାରି ଦାନୀ । କେହି ତାଙ୍କ ଦୁଆରୁ କେବେ ଖାଲି ହାତରେ ଫେରେନାହିଁ । ଲୋକମାନଙ୍କର ଥିଲା ନଥିଲା ଚଳାନ୍ତି । ମାଣିତ୍ରୀ ଚକଡ଼ାରେ ସମସ୍ତେ ତାଙ୍କୁ ଦେବତାପରି ମାନନ୍ତି ।
ଶାସକ- ହଁ, ଦେବତାପରି ମାନନ୍ତି ! ବେଶ୍, ଦଳବେହେରାକୁ ଡକାଅ, ଆମେ ତା ସଙ୍ଗେ କଥାବାର୍ତ୍ତା ହେବା ।
ନାଏକ- ହଜୁର ! ସେ କଅଣ ଆସିବେ ?
ଶାସକ- ତେବେ ଆମର ଫୌଜ ଯାଉ । ଦଳବେହେରାକୁ ଧରିଆଣୁ । ଭଲରେ ନ ଆସିଲେ, ଜବରଦସ୍ତି ବାନ୍ଧିକରି ଆଣୁ । ସେ ମେଲିଆଙ୍କର ସର୍ଦ୍ଦାର । ସୁବେଦାର ।
ସୁବେଦାର- ହଜୁର !
ଶାସକ- ଆଉ ଆମେ ମାଣିତ୍ରୀ ପ୍ରଜାଙ୍କୁ ସମୟ ହେବୁ ନାହିଁ । କର ଆଦାୟ ହେଉ- ନଦେଲେ ଚାବୁକ୍, ଗୁଲି । ଘର ଜଳାଇଦିଅ । ଅତ୍ୟାଚାର କର- ଅତ୍ୟାଚାର ! ପ୍ରଜା-ଶାସନ ଆମେ ଜାଣୁ । ଯାଅ, ନାଏବ ବାବୁ !
ନାଏବ- ହଜୁର !
ଶାସକ- ପଲଟନ୍ ପଠାଅ । ଦଳବେହେରାକୁ ଧରାଇ ଆଣ । ଭଲରେ ହେଉ, ମନ୍ଦରେ ହେଉ-ହୁକୁମ କମ୍ପାନୀ ବାହାଦୂର ।
(ଚୌକି ଛାଡ଼ି ଉଠିଲେ)
ନାଏବ- ହଜୁର !
(ସଲାମ କଲେ)
(ମାଣିତ୍ରୀ ଗାଆଁ ମୁଣ୍ଡ । ଦଳବେହେରା ଓ ଗୋପୀନାଥ କଥାବାର୍ତ୍ତା ହୋଇ ଆସିଲେ)
ଦଳବେହେରା- ଗଣ୍ଡିକାଠ ଯାହା ଜମା କରିଦେଇଛ ସେ ଠିକ୍ଅଛି । ତା ଆଗରେ ବଡ଼ବଡ଼ ଢିମାପଥର ଗଦାକରିବାକୁ ହେବ । ଅଳ୍ପ ନୁହେଁ, ଫିରିଙ୍ଗୀ ପଲଟନ ଆସି ଦେଖୁ ଏଠି ଗାଆଁ ଗଣ୍ଡା ନାହିଁ- ଗୋଟାଏ ପାହାଡ଼-ପାହାଡ଼ଟାଏ ଠିଆହୋଇଛି । ବୁଝିଲ ଗୋପୀନାଥ !
ଗୋପୀ- ମୁଣ୍ଡିଆରୁ ପଥରବୁହା ଚାଲିଛି । ଷାଠିଏ ଖଣ୍ଡ ଶଗଡ଼ ଧାଡ଼ି ଲାଗିଛି । ଦୁଇଶ ଲୋକ ପଥର ତାଡ଼ୁଛନ୍ତି । କେତେ ଦୋଳା କରି ବୋହୁଛନ୍ତି । କେତେ ଗଡ଼େଇ ଗଡ଼େଇ ଆଣୁଛନ୍ତି । ଆଜି ସଞ୍ଜସରିକି ବାଟରେ ପାହାଡ଼ ଠିଆ ହୋଇଯିବ ଆଜ୍ଞା !
ଦଳବେହେରା- ଆମ ଖମାରରୁ କେତେ ଧାନ ବାହାର କଲ ?
ଗୋପୀ- ଏଇନେ କୋଡ଼ିଏ ଭରଣ ଚାଉଳ କରିବାକୁ ଦିଆଗଲା, ଅଛି ତ, ପରେ ଦେଖାଯିବ ।
(ରଘୁନାଥ ଆସିଲା)
ରଘୁ- (ଦଣ୍ଡବତ କରି) ଆଜ୍ଞା ! ଗୋଟେ ଖବର ଶୁଣିକରି ଧାଇଁଚି ।
ଦଳବେହେରା- କଅଣ ରଘୁ ? କି ଖବର ?
ରଘୁ- ଆଜ୍ଞା...ଚକରା ଆସୁଥିଲା ।
ଦଳବେହେରା- ଚକରା କିଏ ? ସେଇ ଯେ ଫିରିଙ୍ଗୀର ପିଆଦା ଚାକିରି କରିଚି ? ସେଇ ନା ?
ରଘୁ- ଆଜ୍ଞା ! ମୋତେ ବହୁତ ଫୁସୁଲାଫୁସୁଲି କଲା-ଭୂକର ଅସୁଲ କରି ଦେବାକୁ ଆମ ମାଣିତ୍ରୀଗଡ଼ରୁ । ଆମେ କର ନଦେବା ଖବର ଆଖପାଖ ଗାଆଁ ଲୋକେ ତ ଜାଣିଗଲେଣି । ସେମାନେ ବି ଅଡ଼ିବସିଲେଣି । ମେଣ୍ଟ ବାନ୍ଧିଲେଣି ସମସ୍ତେ । ଖବର ଖୋରଧାର କମ୍ପାନୀ କଚେରୀକି ଗଲାଣି ବାହାରି ।
ଦଳବେହେରା- ହଁ, ଯିବାର ତ କଥା । ସେଇଠୁ ? ଆସନ୍ତୁ ପଲଟନ-କର ଆଦାୟ କରିବାକୁ ।
ରଘୁ- ଚକରା କହିଲା, ଫଉଜ ଆସୁଛନ୍ତି ଆପଣଙ୍କୁ ଧରିନେବେ । ଆମ ମୁଣ୍ଡ କଟିଯିବ ଆଜ୍ଞା, ୟା ତ ତିନିକାଳେ ହେଇପାରିବ ନାହିଁ ।
ଦଳବେହେରା- (ହସି) ଅଛି, ସେ କଥା ତ ଅଛି । ମୁଁ କ’ଣ ଆଉ ସେ ଡର ରଖିଛି ? କହିଛି ପରା, ଏ ମୁଣ୍ଡକୁ ପାଣି ଛଡ଼ାଇଦେଲି ? ତୁମେମାନହେ ଦମ୍ଭ ଧର । ସିଂହପିଲା ମୁଁ । ମୁଁ ତ ମୁଁ-ମୋ ଲାଞ୍ଜ ଧରିବା କାଠିକର ପାଠ । ଧରିଲେ ଦଳବେହେରା ମଡ଼ାକୁ ଧରିବେ । ଜୀଅନ୍ତାରେ ନୁହେଁ । ଥୟ ଧର, ଚାଲ ଆଖି ଆଗରେ ଯାହା କାମ ଅଛି, ତାକୁ ଆଗେ ସାର । ମୁଁ ମୋ ବାଟ ଧରିବି । ଆଉ ଉଛୁର କଲେ ଚଳିବ ନାହିଁ । ମୁଣ୍ଡିଆ ପାଖକୁ ଚାଲ, ଆସ ।
(ଗୋପୀ ଓ ରଘୁକୁ ସଙ୍ଗରେ ନେଇ ଦଳବେହେରା ଚାଲିଗଲେ)
(ମାଣିତ୍ରୀ ଗାଆଁର ଅଦୂରବର୍ତ୍ତୀ ଆମ୍ବତୋଟା-ଦୁଇଜଣ ବରକନ୍ଦାଜ ପାଖାପାଖି ହୋଇ ବସିଛନ୍ତି)
୧ମ- ଓଃ ! କାଲି ରାତିଟାଯାକ ଯୋଉ ମଶା !
୨ୟ- ଆରେ କହନା, କହନା । ମଶା କହୁଛି ମୁଁ, ଡାଉଁଶ କହୁଛି ମୁଁ ! ବାପା ମାଆ ଆମପରି ପୁଅ ଜନମ ନକରି ଆଣ୍ଠୁକୁଡ଼ା ଯାହା ହେଲେ ନାହିଁ ରେ ଗୋପାଳିଆ ! ଖିଆ ନାଇଁ, ପିଆ ନାଇଁ,- ମୁଢ଼ି, ହୁଡ଼ୁମ୍ବରେ କେତେଦିନ ମଣିଷ ଚଳିବ ?
୧ମ- ଆଜି ଚାଲ, ପଳାଇବା; ଜାଣିଲୁ ଗୋବିନ୍ଦା ! ମାଣିତିରି ଗାଆଁକୁ ଏମିତି କଟକଣା କରିଦେଇଚି ସେ ଦଳବେହେରା ଯେ ଚଢ଼େଇପିଲାଟେ ଉଡ଼ିବାକୁ ନାଇଁ ! କୋଉଠି ଅଛି, କୋଉଠିକି ଯାଉଛି-କିଛି ଖବର ମିଳୁନାହିଁ । ଆମେ ଯୋଡ଼ାଏ ବାବନାଭୂତପରି-କାହିଁ ଶାଳଗଛ, କାହିଁ ବରଗଛରେ ସାରାରାତି ଚଢ଼ି କେତେ ଏବେ କାହାକୁ ଜଗିବା ?
୨ୟ- ଆରେ ଜଗିବା କାହାକୁ ? ଦଳବେହେରାକୁ ନା ଆପଣାକୁ ରେ ? ଯେବେ ଟିକିଏ ଖବର ମିଳିଯିବ, ଆମେ ଦିଇଟା ସୁରାକ ନେବାକୁ ଛକିଛେଁ ବୋଲି-ଆମ ହାଡ଼-ମାଉଁସ କାଉ ଶାଗୁଣାଙ୍କୁ ଫୁଟେ ଫୁଟେ ପଡ଼ିବ ନାଇଁ ରେ । ପାଇକେ ଖଣ୍ଡା ପଜେଇ ବସିଛନ୍ତି ।
୧ମ- ଭାଇ ! କି ମିଳିବ ସେ ପାଞ୍ଚଶ ଟଙ୍କାରୁ ? ଆପେ ଜୀଇଥିଲେ ବାପର ନାଁ । ଆଜି ଚାଲ ଘରକୁ ବାଟ କାଟିବା । ଚାରି ଦିନ ଗଲେ ଖୋରଧା କଚେରୀରେ ଖବର କରିବା ଜଗିଜଗି କିଛି ସୁରାଖ ପାଇଲୁ ନାହିଁ ।
୨ୟ- ମୋ ଅଗଜିଭରୁ କଥାଟା ଝଡ଼େଇ ନେଲୁ ରେ ଗୋପାଳିଆ ! ଖାଲି ତୋ’ରି ଡରରେ ମୁଁ ସେ କଥା ଉଙ୍କାରୁ ନଥିଲି ।
୧ମ- ମୁଁ ତ କାଲିଠୁଁ କହିବି ହେଇ ଖାଲି ଢୋକଗିଳାକରି କଥାଟା ରଖିଦେଇଥିଲି, ଛାନିଆରେ ।
(ଅଦୂରେ ଖସ୍-ଖସ୍ ଶବ୍ଦ ଶୁଣାଗଲା)
୨ୟ- (ଗୋପାଳର ମୁହଁ ମୁଦିଧରି) ରହ, ରହ, କିଏ ସେ ଆସୁଚି । ଖଣ୍ଡାରେ ହାତ ପକା । ସଜ ହୋଇପଡ଼ । ମା ବରୁଣେଇଁ ! ମା ବରୁଣେଇଁ ! ମା ବରୁଣେଇଁ !
୧ମ- (ଉଠି, ବାହାରକୁ ଉଣ୍ଡି, ଫେରିଆସି) ଆରେ ଦମ୍ଭ ଧର ମ ବୁଢ଼ୀଟାଏ, ପତର ଗୋଟାଉଛି ବରଗଛମୂଳେ ।
୨ୟ- ଓହୋ ! ମୁଁ ମନେ କଲି ପାଇକପିଲେ ଖବର ପାଇଗଲେ ଅବା ?
୧ମ- ଡାକ୍ ଡାକ୍ ! ମାଉସୀ ବୋଲି ଡାକ୍ । ଦେଖିବା, ଏତେ କଷ୍ଟ ତ ପାଇଲେଣି, କେଜାଣି ଯେବେ ଖବରଟା ମିଳିଯିବ ଅବା !
(୨ୟ ଉଠିଯାଇ ଡାକିଲା)
୨ୟ- ମାଉସୀ, ମାଉସୀ ! ଶୁଣିଲୁ, ଶୁଣିଲୁ ଟିକିଏ !
ବୁଢ଼ୀ- (ନେପଥ୍ୟରୁ) କିଏ ରେ ପୁଅ ! କିଏ ଡାକୁଚ ?
୧ମ- ଆସ୍, ଆସ୍, ଶୁଣ୍ !
(ବୁଢ଼ୀ ଆସିଲା)
୨ୟ- ଆ, ଶୁଣି ଯା, ପାଖକୁ ଆ ।
ବୁଢ଼ୀ- (ଟିକିଏ ଚାହିଁ) କଅଣ କହୁଛ ? କହୁନା । ଶୁଭୁଚି ମତେ । ମୁଁ କାଲୁଣୀ ନୁହଁ । କାହିଁକି ଡାକୁଚ?
୧ମ- ତୋ ଘର କୋଉଠି ?
ବୁଢ଼ୀ- ଏଇ ଗାଆଁରେ । ଗଡ଼-ମାଣିତିରୀରେ । କାହିଁକି ? ତୁମେ କୋଉଠାର ? କିଏ ତୁମେ ?
୨ୟ- ଆମ ଘର ଟିକିଏ ଦୂର ଗାଆଁରେ । ବାଟୋଇ ଦି’ଜଣ ଆମେ ।
ବୁଢ଼ୀ- ହଉ । (ଫେରି ଯାଉଥିଲା)
୧ମ- ଆଲୋ ମାଉସୀ ! କଥାଟା ଶୁଣ୍ ।
ବୁଢ଼ୀ- କଅଣ କହୁନା ! (ଠିଆହେଲା)
୧ମ- ଆଲୋ, ଆମେ ଆସିଥିଲୁଁ ଦଳବେହେରାଙ୍କ ପାଖକୁ ଟିକିଏ । କୋଉଠି ଅଛନ୍ତି ସେ,ଜାଣିଚୁ ?
ବୁଢ଼ୀ- ବଡ଼ଲୋକ ସେ ! ତାଙ୍କ ଘରେ ସେ ଥିବେ ନା- ଆମେ ଦୁଃଖୀ ଲୋକ, ଆମେ କି ଜାଣୁ ତାଙ୍କମାନଙ୍କ କଥା ?
୨ୟ- ତୁ ଲୁଚାଉଚୁ ମାଉସୀ ! ସବୁ ଜାଣିଚୁ, କହୁନାହୁଁ ।
ବୁଢ଼ୀ- ମଲା ! ମୁଁ କି ଜାଣେ ମ ? ତୁମେ ସବୁ କୁଆଡ଼େ ଆସିଚ, କହିବ ।
୨ୟ- କହିଲୁଁ ପରା ଦଳବେହେରାଙ୍କ ପାଖକୁ । ହେଲେ ତୁ ତ କହୁ ନାହୁଁ ।
ବୁଢ଼ୀ- କହିଲି ପରା, ତାଙ୍କ ଘରେ ଥିବେ; ଆଉ କେମତେ କହିବି ? ତୁମେ କହୁନା, ଦଳବେହେରାଙ୍କ ପାଖେ କଅଣ କାମ ତମର ?
୧ମ- ତାଙ୍କ ସାଙ୍ଗେ ଦେଖାହେଲେ ସିନା !
ବୁଢ଼ୀ- ହଉ ତେବେ ଯା, କୋଉଠି ଥିବ ଖୋଜ, ଦେଖ ।
(ଚାଲି ଯାଉଥିଲା)
୨ୟ- ଏ ବୁଢ଼ୀ ! ଶୁଣହୁଚି । ଦଳବେହେରା କୋଉଠି ଅଛନ୍ତି କହ ।
ବୁଢ଼ୀ- (ଫେରି) ମଲା ! ରଙ୍ଗଆଖି କରି ତ କଅଣ ପଚାରୁଚୁ ? କିଏ ରେ ତୁ ଛତରା ? ଫିରିଙ୍ଗୀଘର ଲୋକ ତୁ, ନାଇଁ ଦଳବେହେରା କୋଉଠି ଅଛନ୍ତି, ମୁଁ କି ଜାଣେ ରେ ? ମୁଁ କଅଣ ତାଙ୍କୁ କାନିରେ ଗଣ୍ଠିକରି ବୁଲୁଚି ? ଯାଉନୁ । ଆମ ଗାଆଁ ମରଦଙ୍କୁ ପଚାରିବୁ । କାଣି ବିଲେଇ ଅସରପା ଉପରକୁ ରଜା ? ମୋତେ ବୁଢ଼ୀଟାଏ ଦେଖିଲୁ, ନାଇଁ ?
୧ମ- ହଁ, ହଁ, ଷାଠିଏ କାଳର ବୁଢ଼ୀହୋଇ ତୁ ସତ କଥା କହୁନୁ ? ପାହାରେ ବାଜିଲେ ଏଇନେ ସତ କଥା ବଳେ ବାହାରି ପଡ଼ିବ । ଜାଣିଚୁ ?
ବୁଢ଼ୀ- ହଁ ଜାଣିଚି । ବାଡ଼ିପଡ଼ାର ଏଡ଼େ ସାହସ ! କାହିଁକି ? ତୋ ଘରେ ମାଆ-ମାଉସୀ ନାହାନ୍ତି କି ? ଯାଉନାଉଁ, ପାହାର ସେଇଠି ଅନକୂଳ କରିବୁ । ମାରିବୁ ? କାଇଁ ମାଇଲୁ ଦେଖି ! ପାଟିଟାଏ କରିଦେଲେ ସହସ୍ରେ ଠେଙ୍ଗା ତୋ ପିଠି ଉପରେ ନାଚିଯିବ । କହିଲା ପାହାର ? ମୁଁ କି ଜାଣେ ରେ ଦଳବେହେରାଙ୍କ କଥା ? ପରଭାତୁଆ ନୁଣୁଛୁଆ ! ଉଠ୍ ! ବାଟରୁ ଉଠ୍ । (ଘୁଞ୍ଚିକରି ଯାଉ ଯାଉ) ଆହେ ଦେଖ ହେ ! କହୁଚି କଅଣ ନାଁ ପାହାର ଦବ ? ହଇ ରେ ! ହାତ ଛିଡ଼ିପଡ଼ିବ ନାଇଁ ତୋ’ର ! ହଉ, ମାରିବୁ ପରା ? ଟିକିଏ ଏଇଠି ଥା । ଜୀବନ ନେଇକରି ଯେବେ ଯାଇଚୁ- ମୋ ନାଆଁ ନାଇଁ ! (ଯାଉ ଯାଉ) ଆରେ ଏ ପିଲେ ! ଆରେ ଦେଖିଲ ଦେଖିଲ, ଏ ଦି’ଟା କିଏ ! ଦଳବେହେରାଙ୍କୁ ଖୋଜୁଛନ୍ତି । ମୋତେ ମାରିବାକୁ ଚାଚୁଚନ୍ତି । ଆସିବଟି ରେ ପିଲାଏ !
(କହୁ କହୁ ଚାଲିଗଲା)
୨ୟ- ଆରେ, ହେ ଗୋପଳିଆ ! ଦାରୁ ଘରେ ନିଆଁ ଲଗେଇ ଦେଲୁଟି ? ଚାଲ ଚାଲ, କେମିତି ଖସିପଳାଇବା । ଜୀବନ ବଡ଼, ନା ସାଇବଘର ଇନାମ୍ ବଡ଼ ରେ ? ମେଳିଆ ଗାଆଁ । ମାଣତିରୀଟି ! ଏଠି ବିଲୁଆ କହୁଛି ମୁଁ ମହାବଳ ବାଘ ! ଟିକିଏ ଖବର ପାଇଲେ, ଆଉ ମୁଣ୍ଡ ରହିବ ? ଆ, ଆ, ଖସିପଳାଇବା ରେ । ଜୀବନ ଆଗ ରହୁ ।
(ଦୁହେଁ ବୁଢ଼ୀର ବିପରୀତ ଦିଗରେ ପଳାଇଲେ)
ସ୍ଥାନ- ବନ-ପଥ- (ଦଳବେହେରା ଧୂନି ଜାଳି ବାବାଜୀ ବେଶରେ ବସିଛନ୍ତି । ତାଙ୍କ ଆଗରେ ହାତଯୋଡ଼ି ବସିଛି କମ୍ପାନୀର ସୁବେଦାର)
ସୁବେଦାର- ବାବା, ଦିନେ ନୁହେ, ମାସ ନୁହେ-ବର୍ଷସଂଖ୍ୟା ବିତିଗଲା; ଘରଦ୍ୱାର, ପିଲାକୁଟୁମ୍ବ ଛାଡ଼ି ବଣ ପାହାଡ଼ ଜାଣି ଆମର ଘର ହେଲାଣି, ବାଘ ଭାଲୁ ବନ୍ଧୁ କୁଟୁମ୍ବ ହେଲେଣି । ଆଉ କେତେ କୋଉଠି ଖୋଜିବୁଁ ? ଦଳବେହେରା ମଲା କି ଗଲା-ହେଲେ ଜଣାଯାଆନ୍ତା । ଏଣେ ତ ମେଳି ବଢ଼ିଚାଲିଛି । ଆପଣ ତ ତିନିକାଳ କଥା ଜାଣନ୍ତି ବାବାଜୀ ! ଟିକିଏ କହିଲେ- ଧରାପଡ଼ିବ କି ନାହିଁ ?
ଦଳବେହେରା- ଦେଖ ସୁବେଦାର । ମୋତେ ଜଳଜଳ ଦିଶୁଚି ଦଳବେହେରା ମରିନାହିଁ; ମାଣତ୍ରୀ ଆଖପାଖରେ ଅଛି । ତୁମେମାନେ ତାକୁ ଦେଖି କରି, ଦେଖୁ ନାହଁ ।
ସୁବେଦାର- ଦେଖିକରି ଦେଖୁନାହୁଁ ? ଆଉ ତେବେ କେମିତି ଅଛି ସେ ? ମୁଁ ତ ଏକୁଟିଆ ନୁହଁ । କମ୍ପାନୀ ସାଇବ ଇନାମ୍ ଦେବ ବୋଲି ଡେଙ୍ଗୁରା ବାଡ଼େଇଛି । ଦଳବେହେରା କଟାମୁଣ୍ଡ ଯେ ସାଇବକୁ ଦେଖେଇବ, ସେ ପାଞ୍ଚଶ ଟଙ୍କା ପାଇବ । ଜଣେ କାହାରି ଆଖିରେ ପଡ଼ନ୍ତା ନାଇଁ ସେ ?
ଦଳବେହେରା- ତୁମେ ଗାଆଁ ଲୋକଙ୍କୁ କୁହ । ସେମାନଙ୍କୁ ଫୁସଲା ଫୁସୁଲି କଲେ ଦଳବେହେରାର ଭେଟ ପାଇବ ।
ସୁବେଦାର- ଆରେ ରାମ ରାମ । ଗାଆଁ ବାଲା ? ଗାଆଁକୁ ଯିବାକୁ ଆଉ ବାଟଘାଟ ରଖିଛନ୍ତି ସେ ? ଦୁଇ ମୁଣ୍ଡରେ ଗୋଟାଏ ଗୋଟାଏ ପାହାଡ଼ ଠିଆକରିଦେଇ ନିଶ୍ଚିନ୍ତରେ ନିଶରେ ହାତମାରି ବସିଛନ୍ତି । ତାଙ୍କୁ ତ ପଚାରିଲେ- ତୁଣ୍ଡରେ ନୁହଁ, ଖଣ୍ଡାରେ କଥା କହିବେ ସେ । ତେଣେ ଗାଆଁକୁ ଗାଆଁ ଦିନକୁ ଦିନ ମେଳି ବଢ଼ୁଛି ।
ଦଳ- ଗାଆଁ ଲୋକେ ବାହାରକୁ ଯିବାଆସିବା ତ କରୁନାହାନ୍ତି, ଖାଉଚନ୍ତି ପିଉଚନ୍ତି କଅଣ ତେବେ ?
ସୁବେଦାର- କେଜାଣି, କୋଉଠି କେତେ ରଖିଛନ୍ତି ? କୋଉ ଦଇବ ତାଙ୍କୁ ଖାଇବାକୁ ଦେଉଛି ! ଆଚମ୍ବିତ କଥା ହେଉଛି, ବାବା !
ଦଳ- ଯାହା ହେଉ, ତୁମେ ଖୋଜିଲେ ଦଳବେହେରାକୁ ପାଇବ, ଯାଅ, ଖୋଜ ।
ସୁବେଦାର- ହଉ, ଫେରି ଦେଖାକରିବି । ଯାଉଛି । ସାଧୁ ଆଜ୍ଞା ! ଦେଖାଯାଉ ।
(ମୁଣ୍ଡିଆ ମାରି ଚାଲିଗଲା)
(ଦଳବେହେରା ସୁବେଦାରକୁ ଗୋଡ଼ଠାରୁ ମୁଣ୍ଡଯାଏ ଚାହିଁଗଲେ ! ଦୂରରୁ ଗୋଟାଏ ଶବ୍ଦ ହେଲା-ପକ୍ଷୀ ଡାକିଲାପରି । ଦଳବେହେରା ସେହିପରି ପ୍ରତି-ଶବ୍ଦ କଲେ । କିଛି ବେଳ ପରେ ରଘୁ ଆସିଲା- ଚୋରପରି ଲୁଚି-ଲୁଚି । ମୁଣ୍ଡରେ ଠେକା ଭିଡ଼ିଛି । ହାତରେ ଖଣ୍ଡା ଧରିଛି ସେ ।)
ରଘୁ- (ଦଳବେହେରାକୁ ଦଣ୍ଡବତ କରି) ସୁବେଦାର ଯାଉଛି । ଏଇ ଆଗବାଟେ ତାକୁ ଦେଖିଆସିଲି ।
ଦଳବେହେରା- (ହସି) ମୋ ପାଖକୁ ଆସିଥିଲା । ଦଳବେହେରାକୁ ସେ ଖୋଜୁଛି । କଟା ମୁଣ୍ଡ ନେଇ ଖୋରଧା କଚେରୀରେ ଦେଲେ ପାଞ୍ଚଶ’ ଟଙ୍କା ମିଳିବ ।
ରଘୁ- ଆପଣ କଅଣ କହିଲେ ?
ଦଳବେହେରା- କହିଲି ଖୋଜ, ଦଳବେହେରାକୁ ପାଇବ ।
ରଘୁ- ହଉ ତେବେ; ଆଜି ରାତି ତା କଟାମୁଣ୍ଡ ବାଉତୀ ଆଗରେ ଛେଦ ପଡ଼ିବ ।
ଦଳବେହେରା- ଛି, ଛି, ପେଟପାଇଁ ସେମାନେ ଧାଇଁଛନ୍ତି । ତାଙ୍କୁ ମାରି ହାତ ଗନ୍ଧାଇବ । ପାଇକପୁଅର କାମ ସେ ନୁହେଁ । କୋଉ ପାଣି କୋଉଠିକି ବୋହୁଚି, ଆଗଦେଖ । ଖମାର ଧାନ ସରିଲାଣି ?
ରଘୁ- ଅଧା ହୋଇନାହିଁ । ସରିବ କଅଣ ? ଲୋକେ ଖାଇପିଇ ସୁଖରେ ଅଛନ୍ତି । ଫୌଜ ଘେରୋଉ କରି ବସିଛନ୍ତି ଗାଆଁ ମୁଣ୍ଡେ । ପାଖଆଖ ଗାଆଁକୁ ଖବର ଯାଉଚି । ମେଣ୍ଟ ବାନ୍ଧିଲେଣି ସେମାନେ । ଆଉ କଅଣ କଅଣ କରିବୁଁ ବୋଲି ପଚାରିବାକୁ ଆସିଲି ।
ଦଳ- ଆଉ କିଛି ଦିନ ଥୟ ଧର । ଦେଖ, ପଲଟନ କଅଣ କରୁଛନ୍ତି । ଆମଆଡ଼ୁ କିଛି ଗୋଳମାଳ ଅନୁକୂଳ କର ନାହିଁ । ଚାଲ, ଏଠାରେ ମୋର ଆଉ ରହିବା ଉଚିତ ନୁହେଁ । ସୁବେଦାର ଆସିଥିଲା । କେତେବେଳେ ଯଦି ତା’ର କୌଣସି ସନ୍ଦେହ ହୁଏ, ଅସୁବିଧା ହେବ ।
ରଘୁ- କେତେକାଳ ଆଉ ଘରଦ୍ୱାର ଛାଡ଼ି ଆପଣ ଶୀତ, ଖରା ବର୍ଷାରେ ବଣେ ବଣେ ବୁଲୁଥିବେ ? ୟା’ର କଅଣ ଅନ୍ତ ନାହିଁ ଆଉ ସାଆନ୍ତ ?
ଦଳବେହେରା- (ଉଠି, ଉପରକୁ ଠାରିଲେ) ଜଗନ୍ନାଥଙ୍କ ଇଚ୍ଛା, ଚାଲ ।
(ଦୁହେଁ ପ୍ରସ୍ଥାନ)
(ବନପଥ- ଗୋଟିଏ ଦରିଦ୍ର ବୁଢ଼ା ନାଉରୀ ଏକ ଦିଗରୁ ଆସି ଥକାମାରି ଠିଆହୋଇ ଚାରିଆଡ଼େ ଅନାଇଁଲା । ଟିକିଏ ଆଗକୁ ମାଡ଼ି ଚାଲିଗଲା; ପୁଣି ଫେରିଆସି ଠିଆହୋଇ ଏଣେତେଣେ ଚାହୁଁଛି, ଏତିକିବେଳେ ଦଳବେହେରା ଆସି ପହଞ୍ଚିଗଲେ । ନାଉରୀ ତାଙ୍କୁ ପ୍ରଣାମ କଲା ଜଣେ ସାଧୁ ମନେ କରି)
ନାଉରୀ- ବାବାଜୀ ଗୋସେଇଁ ! ଗଡ଼ ମାଣତିରୀକି ବାଟ କୁଆଡ଼େ ଜାଣିଚନ୍ତି କି ? ଏଇଠି ଦୋ’ବାଟିଟା ପଡ଼ିଛି ଯେ, କୁଆଡ଼କୁ ଯିବି ବାରିପାରୁନାହିଁ ।
ଦଳ- ତୁମେ କଅଣ ମାଣିତ୍ରୀ ଯିବ ?
ନାଉରୀ- ଆଜ୍ଞା ହଁ ।
ଦଳ- କାହିଁକି ? କଅଣ କାମ ଅଛି ?
ନାଉରୀ- ଆଜ୍ଞା, ବଡ଼ ଗରିବ ମୁଁ । ଖାଇବାପିନ୍ଧିବା କଥା ତେଣିକି ଥାଉ, ଟିକିଏ ମୁଣ୍ଡ ଗୁଞ୍ଜିବାକୁ ଠାବ ନାହିଁ ମୋର । ନଈ କୂଳେ କୁଡ଼ିଆ ଖଣ୍ଡି ମାରି ଆମେ ଦି ପ୍ରାଣୀ ଥିଲୁ ଯେ, ଛାଆଣୀ-ଛପର କରିପାରିଲି ନାହିଁ । ଚାଳଯାକ କଣା, ବାହାରେ ନ ପଡ଼ୁଣୁ ମେଘ ଘରେ ବରଷୁଛି । ପାଞ୍ଚ ସାତ ଜଣିଆ ଛୋଟ କାଠୁଆ ଡଙ୍ଗା ଖଣ୍ଡିଏ ଥିଲା । ପଝାରୀ ପାର ଉତ୍ତାର କରି କିଛି କିଛି ପାଉଥିଲି । ସେଇଥିରେ ଢୋକେ ପିଇ- ଦଣ୍ଡେ ଜୀଇ କରି ଚଳିଯାଉଥିଲି । ଦଇବ ବେଡ଼ି ଉପରେ କୋରଡ଼ା ମାରିଲା ।
ଦଳବେହରା- କଅଣ ହେଲା ? କିଏ ନେଇଗଲା ତମ ଡଙ୍ଗା ଖଣ୍ଡିକ ?
ନାଉରୀ- ନାଇଁ ଆଜ୍ଞା ! ଆଉ କିଏ ନିଅନ୍ତା ସେ ଦଦରା ନାଆଟାକୁ ? ନେଲାବାଲା ଏକା ସେଇ ଦଇବ । ଦୁଃଖୀରଙ୍କୀଙ୍କ ତଣ୍ଟିରେ ଖୋଜ ପକାଇବାକୁ ଆଉ ପୁଣି ଏମିତି ଜଣେ କିଏ ଅଛି ?
ଦଳ- କଅଣ ହେଲା ତେବେ ?
ନାଉରୀ- ନଈବଢ଼ି ତ ଏବର୍ଷ ପ୍ରବଳ ହେଲା । ସଞ୍ଜବେଳେ ଘାଟମୁଣ୍ଡେ ଡଙ୍ଗାବାନ୍ଧି ଦେଇ ଆସିଥିଲି । ଭାରି ଝଡ଼ ବର୍ଷା ହେଲା । ଦିନଟାଏ ଆଉ ମୁଁ ନଈ ଯାଇପାରିଲି ନାହିଁ । ପାଣି ସୁଅରେ ନାଆଟି କୁଆଡ଼େ ଭାସିଗଲା । ସାତଦିନ ହବ ମୁଁ ତଳମାଳଯାକ ନଈକୂଳେ ଉପାସ ଭୋକରେ ଯେତେକ ବୁଲିଲି । ଶେଷକୁ କାନମୁଣ୍ଡ ଆଉଁସୀ କାନ୍ଦିବୋବେଇ ରହିଲି । ଆଉ କଅଣ କରିବି ? ବୁଦ୍ଧି ବାଟ କିଛି ଦିଶୁନାହିଁ ।
ଦଳ- ତେବେ ଆଉ କଅଣ ଭାବୁଚ ଏଇନେ ? ମାଣିତ୍ରୀ କାହିଁକି ବାହାରିଥିଲ ?
ନାଉରୀ- ଆଜ୍ଞା, ଦଳବେହେରାଙ୍କ ପାଖକୁ ଟିକିଏ ଯିବି । ଚଢ଼େଇ ଚିରୁଗୁଣୀ ପେଟ ଚିହ୍ନିଲାବାଲା ସେ । ମୁଲକରେ ନାଆଁ ପଡ଼ୁଛି ତାଙ୍କର, ତାଙ୍କୁ ମାଗିବି । କଉଡ଼ି କିଛି ହେଲେ ପୁଣି ଖଣ୍ଡିଏ ଡଙ୍ଗା ଗଢ଼େଇ ଚଳାଚଳ ହେବି । ଜୀବ ଥିଲାଯାକେ ତ ଏ ପୋଡ଼ା ପେଟ ଅଛି । ଦଳବେହେରାଙ୍କ ପାଖରୁ ପଦେ ହଁ, କି ନାହିଁ ଶୁଣିଲେ ତେଣିକି ଯାହା ଏ କର୍ମରେ ଥିବ ।
ଦଳବେହେରା- ଆହା ! ନାଉରୀ ଭାଇ ! ତୁମେ କଅଣ କିଛି ଶୁଣିନାଁ ? ଦଳବେହେରା ତ ଆଉ ନାହାନ୍ତି ।
ନାଉରୀ- ନାହାନ୍ତି ? ଦଳବେହେରା ନାହାନ୍ତି ! ଏ ରାଇଜରୁ ଦେବତା-ପୁରୁଷ ବି ଛାଡ଼ିଗଲେ ? ବୁଡ଼ିଗଲା, ବୁଡ଼ିଗଲା ଧର୍ମ । କଅଣ ହେଇଥିଲା ତାଙ୍କର ଆଜ୍ଞା ! ଆମପରି ଜୀବନ-ନିତି ଆମେ ମରିବାକୁ ଖୋଜୁଚୁ-ଆମକୁ ଯମ ନବାକୁନାହିଁ । ବାଛି ବାଛି କରି ଭଲତକ ଯାଉଚନ୍ତି!
ଦଳବେହେରା- ତାଙ୍କୁ ପରା କମ୍ପାନୀ ସାଇବ ଧରାଇ ନେଲାଣି । ତୁମେ ଆଉ ବ୍ୟସ୍ତ ହୁଅନାହିଁ । ତୁମକୁ ଗୋଟିଏ ସ୍ଥାନକୁ ନେଇଯିବି, କିଛି ପାଇବ । ଡଙ୍ଗାଟିଏ ଗଢ଼େଇ ନବ । ଆସ, ମୋ ସଙ୍ଗରେ ଆସ ।
ନାଉରୀ- ଆଜ୍ଞା ! କୋଉ ଦେବତା ଆପଣ ? ଦେବାଲୋକ ତ ଗଲେ; ଆଉ ପୁଣି କିଏ ଅଛି ଦଳବେହେରାଙ୍କ ପରି ଯେ, ଦୁଃଖୀରଙ୍କୀଙ୍କ ପେଟ ଚିହ୍ନିବ ? ହଉ, କହୁଛନ୍ତି...ଚାଲନ୍ତୁ ।
ଦଳବେହେରା- ଆସ, ଆସ, କଉଡ଼ି ମିଳିବ ତୁମକୁ ! ଆସ ।
(ଦୁହେଁ ଆଗପଛ ହୋଇ ଚାଲିଗଲେ)
[ସ୍ଥାନ-ଖୋରଧା, କମ୍ପାନୀର କଚେରୀ । ଶାସକ ତାଙ୍କ ଆସନରେ ବସିଛନ୍ତି । କର୍ମଚାରୀ, ନାଏବ ଇତ୍ୟାଦି ଠିଆ ହୋଇଛନ୍ତି ।]
ନାଏବ- ମାଣିତ୍ରୀ ଦେଖାଦେଖି ଆହୁରି ଚାରିଖଣ୍ଡି ପାଖାପାଖି ପାଇକାଳି ଗାଆଁ ଖଜଣା ଦେବେ ନାହିଁ ବୋଲି ଜିଦ୍ ଧରି ବସିଲେଣି । ଦିନକୁଦିନ ତ ଏ ନିଆଁ ଜଳିଲା ହଜୁର !
ସାହେବ- (ରାଗି) ସମସ୍ତେ ତ ସେଇ କଥା କହୁଛ । ଆମେ ତ ପାଞ୍ଚଶ ଟଙ୍କା ଇନାମ ଦେବାକୁ ଘୋଷଣା କଲୁଁ । ଗାଆଁ ଗାଆଁ କେ ନାଗରା ଦିଆଇଲୁଁ । ଗୋଟାଏ ଲୋକକୁ କେହି ଧରିପାରୁନାହଁ ! ସମସ୍ତେ କହୁଛ- ସେଇ ଏ ନିଆଁ ଜାଳୁଚି ! ସେଇ ଏ ମେଳିର ମୂଳ ! ଯାଅ, ତା’ର ମୁଣ୍ଡ କାଟିଆଣ, ଇନାମ ନିଅ । କମ୍ପାନୀ ସରକାର ତ ଏ କଥା ସଫା କହିଦେଇଛି । ଯେତେ ଅଛ ସବୁ-ଗଧ । ଗୋଟାଏ ଲୋକକୁ ଧରିପାରୁନାହଁ ? ଆଉ ମୋ ଆଗରେ ଆସି କଥା କହୁଛ, ନାଏବ ବାବୁ ! ଲଜ୍ଜା ନାହିଁ ତମମାନଙ୍କୁ ?
ନାଏବ- ହଜୁର ! ଖରା, ବର୍ଷା, ଶୀତ, କାକର ସହିତ ଆମସିପାହୀ, ପିଆଦା ବଣ, ପାହାଡ଼, ଗାଆଁ ଗଣ୍ଡା ଖୋଜିବାରେ ଲାଗିଚନ୍ତି । କିଏ କହୁଚି-ଆଜି ଏଠି ମେଳିଆମାନଙ୍କୁ ଦେଖିଲି । କିଏ କହୁଛି- କାଲି ସେଠି ମେଳିଆମାନଙ୍କୁ ଭେଟିଛି । ହେଲେ ଦଳବେହେରାର ତ ପତ୍ତା ମିଳୁନାହିଁ । ଆମ ଲୋକେ ଥକିଗଲେଣି ଖୋଜି ଖୋଜି ।
ଶାସକ- ଆଉ କଅଣ ସେ ପବନରେ ଉଡ଼ିବୁଲୁଚି ? ମଣିଷଟାଏ ତ ! କୋଉଠି ହେଲେ ଥିବ । କେହି ହେଲେ ମନଦେଇ କାମ କରୁନାହାନ୍ତି । ଖାଇପିଇ ଆପଣା ଘରେ ଶୋଇଛନ୍ତି । କେହି ତାକୁ ଖୋଜୁନାହାନ୍ତି, ନୋହିଲେ ଅବା ତା ସଙ୍ଗରେ ଆମ ଲୋକଙ୍କର ମେଳ ଅଛି ।
ନାଏବ- ହଜୁର୍, ତା ନୁହେ । ଦଳବେହେରା ବଡ଼ ଚତୁର । ଧରା- ପଡ଼ିବା ସହଜ ନୁହେଁ ।
ଶାସକ- ସେ କଥା ତ ଦେଖୁଛୁଁ ଆମେ ।
(ନାଉରୀସହ ଦଳବେହେରା ଆସି ପହଞ୍ଚିଲେ)
ଦଳବେହେରା- ସାହେବ ! ମୋର କିଛି କହିବାର ଅଛି ।
ଶାସକ- କିଏ ତୁମେ ?
ଦଳବେହେରା- ମୁଁ ଏଇ ରାଜ୍ୟର ଜଣେ ପ୍ରଜା ।
ଶାସକ- ତୁମେ ତ ଜଣେ ସାଧୁ-ବାବାଜୀ । ତୁମର ପୁଣି କଅଣ କହିବାର ଅଛି ? ଆଚ୍ଛା କୁହ ।
ଦଳବେହେରା- (ନାଉରୀକୁ ଦେଖାଇ) ଏ ଜଣେ ନାଉରୀ । ବିଚାରା ବଡ଼ ଗରିବ । ଖଣ୍ଡିଏ ଛୋଟ ଡଙ୍ଗା ଥିଲା ତା’ର । ତାକୁ ଚଳାଇ କିଛିକିଛି ସେ ପାଉଥିଲା । ନଈବଢ଼ି ପାଣିରେ ଡଙ୍ଗାଖଣ୍ଡି କୁଆଡ଼େ ଭାସି ଯାଇଛି ।
ଶାସକ- ତେବେ ଆମେ କଅଣ କରିବୁ ? ତା’ର ଡଙ୍ଗା କୋଉଠି ଅଛି, ଖୋଜି ଆଣିବୁ ?
ଦଳବେହେରା- ଶୁଣନ୍ତୁ ଆଗେ ମୋ’ କଥା ।
ଶାସକ- ଆଉ କଅଣ କହୁଛ ? ଗରିବ ତ ରାଜ୍ୟରେ ଏପରି ଅନେକ ଅଛନ୍ତି । କମ୍ପାନୀ ବାହାଦୂର କଅଣ ସମସ୍ତଙ୍କ ଖାଇବା ପିଇବା ପାଇଁ ଧର୍ମଶାଳା ଖୋଲିଦେବେ ?
ଦଳବେହେରା- ମୁଁ ତା କହୁନାହିଁ । ଏ ଗରିବଟିର ଘରଦ୍ୱାର ବି ନାହିଁ ।
ଶାସକ- ତା’ ବୋଲି କଅଣ କମ୍ପାନୀ ତା’ ଘରଦ୍ୱାର ତୋଳିଦେବେ ? ତୁମେ ତ ସାଧୁ ଲୋକ । ବାବାଜୀ ହୋଇଚ, ମନ୍ତ୍ରବଳରେ ତାକୁ ବଡ଼ଲୋକ କରିଦିଅ ।
ଦଳବେହେରା- କଥାଟା ଶୁଣନ୍ତୁ । ଏ ଲୋକଟି ଆଉ କିଛି ଆଶ୍ରା ନ ପାଇ ମାଣିତ୍ରୀ ଯାଉଥିଲା ।
ସାହେବ- ମାଣିତ୍ରୀ- ଦଳବେହେରା ....ମାଣିତ୍ରୀ !
ଦଳବେହେରା- ହଁ ସାହେବ । ସେହି ମାଣିତ୍ରୀଗଡ଼ ।
ସାହେବ- ଆଚ୍ଛା, ଆଚ୍ଛା, ତା’ ପରେ ? ସେ ବଦମାସ୍ ଦଳବେହେରାକୁ ଦେଖିଛି ଏ ଲୋକ ?
ଦଳବେହେରା- ନା । ଏ ଲୋକ ମାଣିତ୍ରୀ ଯାଉଥିଲା । ବାଟ ନପାଇ ମୋତେ ପଚାରିଲା ।
ସାହେବ- କାହିଁକି ଯାଉଥିଲା ମାଣିତ୍ରୀ ? ମେଳି କରିବାକୁ, ନାଁ ?
ଦଳବେହେରା- ମାଣିତ୍ରୀ ଦଳବେହେରା ରାଜ୍ୟର ଦୁଃଖୀଦରିଦ୍ରଙ୍କୁ ସାହାଯ୍ୟ ଦିଅନ୍ତି ବୋଲି ସେ ଶୁଣିଚି । ତେଣୁ ଯାଉଥିଲା ଦଳବେହେରାଙ୍କ ପାଖକୁ ।
ସାହେବ- (ରାଗି) ଦଳବେହେରା ! ଦଳବେହେରା ! ଦଳବେହେରା ! ସମସ୍ତେ ତା’ର କଥା କହୁଛ । କେହି ଧରି ଦେଇପାରୁନାହଁ ? ପାଞ୍ଚଶହ ଟଙ୍କା, -ପାଞ୍ଚଶହ ଟଙ୍କା କମ୍ପାନୀ ବାହାଦୂର ପୁରସ୍କାର ଦେବେ । ନାଉରୀ ଦଳବେହେରାକୁ ଧରି ଆଣୁ, ପୁରସ୍କାର ପାଇବ ।
ଦଳବେହେରା- ସାହେବ କଅଣ ସତରେ ପୁରସ୍କାର ଦେବେ ?
ସାହେବ- ହାଁ, ହାଁ, ଜରୁର୍ ।
ଦଳବେହେରା- ତେବେ ଏ ନାଉରୀକୁ ଦିଅନ୍ତୁ । ସେ ଦଳ ବେହେରାଙ୍କୁ ଧରି ଆଣିଛି ।
ସାହେବ- (ହଠାତ୍ ଚୌକି ଛାଡ଼ି) ଧରିଆଣିଛି ? ଏ ନାଉରୀ ଧରିଆଣିଛି ଦଳବେହେରାକୁ ? ସିଂହକୁ ବାନ୍ଧିପାରିଛି ଏଇ ଲୋକ ? କାହିଁ ସେ ଦଳବେହେରା ?
ଦଳବେହେରା- ଆପଣ ପୁରସ୍କାର ଟଙ୍କା ଏଠିକି ଆଣନ୍ତୁ । ମୁଁ କହିଦେବି ।
ସାହେବ- ନାଏବ ବାବୁ !
ନାଏବ- ହଜୁର !
ସାହେବ- ପାଞ୍ଚଶହ ଟଙ୍କା ମାଲଖାନାରୁ ଆଣ ।
ନାଏବ- ହଜୁର ! (ଚାଲିଗଲେ)
ଦଳବେହେରା- ଏ ଗରିବ ନାଉରୀକୁ ପାଞ୍ଚଶ ଟଙ୍କା ଦେଇଦେବେ, ସାହେବ ! ସେ ଦଳବେହେରାକୁ ଧରି ଆଣିଚି ।
ସାହେବ- କାହିଁ ? କାହିଁ ସେ ଦଳବେହେରା ?
ଦଳବେହେରା- ଆପଣଙ୍କ ଆଖିଆଗରେ ସାହେବ ! ମୁଁ ସେହି ଗଡ଼ ମାଣିତ୍ରୀ ଦଳବେହେରା । ଯାହା ମୁଣ୍ଡ ବଦଳରେ ଆପଣ ପାଞ୍ଚଶ ଟଙ୍କା ଦେବାକୁ କହିଛନ୍ତି । ସେଇ ମୁଁ ।
ଶାସକ- (ଓହ୍ଲାଇ ଆସି ଦଳବେହେରାଙ୍କ ହାତ ଧରି ପକାଇ, ଝୁଙ୍କାଇ ଦେଇ) ତୁମେ ? ତୁମେ ସେଇ ଦଳବେହେରା ? ଏଡ଼େ ମହତ୍ ! ତୁମେ ?
(ନାଏବ ଟଙ୍କା ଆଣି ପହଞ୍ଚିଲେ)
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲେ । କେଉଟ ଦଳବେହେରାଙ୍କ ଗୋଡ଼ତଳେ ପଡ଼ିଗଲା- ତା ଆଖିରୁ ଝରଝର ଲୁହ ବହୁଛି)
କେଉଟ- (ଭୋ ଭୋ କାନ୍ଦି) ସାଆନ୍ତ ! ଦେବତା ! ଏ କଅଣ କଲ ?
କୁଶୀଲବ
ଶିବାଜୀ-ମହାରାଷ୍ଟ୍ର ବୀର, ଛତ୍ରପତି
ତାନଜୀ-ମନ୍ତ୍ରୀ
ରଘୁଜୀ- ସୈନିକ ଶୋଲାଜୀଙ୍କ ପୁତ୍ର
ଶୁଭରାୟ- ଶିବାଜୀଙ୍କର ଶତ୍ରୁ
ଦୌବାରୀକ
ତାନାଜୀଙ୍କ ବୃଦ୍ଧାମାତା
[କୁଡ଼ିଆ ଭିତରେ-ଖଣ୍ଡିଏ ଦଉଡ଼ିଆ ଖଟରେ ଆପାଦମସ୍ତକ ଘୋଡ଼ାଇହୋଇ ଶୋଇଥିଲେ ଜଣେ ବୃଦ୍ଧା । ସେ ପୀଡ଼ିତା; ପୁଣି ଅନାହାରରେ କଷ୍ଟ ଭୋଗୁଥିଲେ । ବିକଳ ହୋଇ ମଝିରେ ମଝିରେ କୁନ୍ଥାଉଥିଲେ ଏବଂ କାଶୁଥିଲେ । ଅନ୍ଧାର ରାତି । କୁଡ଼ିଆ ପାଖରେ ପେଚାଟାଏ ବୋବାଉଥିଲା । କୁଡ଼ିଆର ଗୋଟାଏ କୋଣରେ ଦୀପଟିଏ ମିଞ୍ଜି-ମିଞ୍ଜି ହୋଇ ଜଳୁଥିଲା । ସେଥିରେ ତେଲ ପ୍ରାୟ ନାହିଁ । ଅଠର କି ଊଣେଇଶି ବର୍ଷ ବୟସର ଯୁବକ ରଘୁଜୀ ଦୀପଠାରୁ ଅଳ୍ପଦୂରରେ ମୁଣ୍ଡରେ ହାତ ଦେଇ ବସିଥିଲେ । ସେ ବଡ଼ ଚିନ୍ତିତ ଓ ବିବ୍ରତ ଥିଲାପରି ଦେଖାଯାଉଥିଲେ । ରଘୁଜୀ ବୃଦ୍ଧାଙ୍କର ଏକମାତ୍ର ସନ୍ତାନ । ସେ ଥରେଥରେ ରୋଗିଣୀ ମାତାଙ୍କ ଶଯ୍ୟା ଆଡ଼କୁ ଲୁହ-ଛଳଛଳ ଆଖିରେ ଅନାଉଁଥିଲେ । ଦୀର୍ଘନିଃଶ୍ୱାସ ପକାଇ ଡାକିଲେ ]
ରଘୁଜୀ- ମାଆ !
ବୃଦ୍ଧା- (କ୍ଷଣ ନୀରବରେ) ହଁ ବାବା ।
ରଘୁଜୀ- ଦିନଯାକ ବହୁତ ଚେଷ୍ଟା କଲି । କିଛି ଯୋଗାଡ଼ କରିପାରିଲି ନାହିଁ । କାହିଁକି ଯେ ଭଗବାନ୍ ଆମପ୍ରତି ଏଡ଼େ ନିଷ୍ଠୁର, କିଛି ତ ବୁଝିପାରୁନାହିଁ । ମୁଁ ତ ଜାଣିଶୁଣି କିଛି ଏଭଳି ଗୁରୁତର ଅନ୍ୟାୟ କରିନାହିଁ ମାଆ, ଯେଉଁଥିପାଇଁ ଏଡ଼େ କଠୋର ଦଣ୍ଡ ଭୋଗିବାକୁ ପଡ଼ୁଛି । ଦିନ ଶେଷରେ ବି ମୁଠାଏ ଆହାର ଦେଲେନାହିଁ ସେ ।
(ଦିପ ଲିଭିଆସିବାରୁ ଉଠିଯାଇ ଦୀପକୁ ଟିକିଏ ଅଣେଇ କରି ବଳିତାଟି ତେଜିଲେ ରଘୁଜୀ)
ବୃଦ୍ଧା- ତୁ ବ୍ୟସ୍ତ ହୁଅନା ବାବା ! ରଘୁ ! ମୁଁ ଧୀରେ ଧୀରେ ଭଲ ହୋଇଯିବି । ଭଗବାନ୍ଙ୍କୁ ଡାକ । ସେଇ କେବଳ ଭରସା ।
ରଘୁଜୀ- (ଦୀପ ତେଜୁ ତେଜୁ) ଭଗବାନ୍ ! ଭଗବାନ୍ ! କାହାନ୍ତି ସେ ଭଗବାନ ! ମନକୁ ଖାଲି ବୋଧଦେବା କଥା । ହଁ ମାଆ, ଧୀରେ ଧୀରେ ଭଲ ହୋଇଯିବୁ ତୁ; ଠିକ୍ ଏଇ ତେଲ ନ ଥିବା ଦୀପ ପରି ! ନୁଖୁରା ବଳିତାଟା (ତାଚ୍ଛଲ୍ୟ ହସି ହସି) ମୁଁ ତାକୁ ବାରବାର ତେଜୁଛି । କେତେବେଳେ ଆଉ ସେ ଜଳି ରହିପାରେ ? ଟୋପାଏ ହେଲେ ତେଲ ତ ଦୀପରେ ଢାଳିପାରିଲି ନାହିଁ । କନା ପୋଡ଼ାର ଗନ୍ଧ ଉଠିଲାଣି । ଆଉ କେତେବେଳେ ? କେତେ ସମୟ ଆଉ ଜଳି ରହିପାରେ ?
ବୃଦ୍ଧା- ରହିବ ବାପା । ଜଳି ରହିବ । ଦୀପରେ ସାମାନ୍ୟ ଯାହା ତେଲ ଅଛି - ସେଇତକରେ ସକାଳପର୍ଯ୍ୟନ୍ତ ବତୀ ଜଳି ରହିଲେ, ତା’ପରେ ତ ସୂର୍ଯ୍ୟୋଦୟ - ଦେଖାଯିବ । କିଛି ତ ଖାଇନାହୁଁ ତୁ । ଶୋଇପଡ଼ ବୋଲି ଅବା କହିବି କଅଣ ?
ରଘୁ- ହଁ ମା, ମୁଁ ସୁସ୍ଥଦେହରେ ଅଛି । ଖାଇନାହିଁ ବୋଲି ତୁ ଭାବୁଛୁ । ତୋର ଯେ...
(ବାହାରୁ ଡାକ ଶୁଭିଲା)
କିଏ ? ଆସ ! (ପ୍ରବେଶ କଲେ ଶୁଭ ରାୟ-ରଘୁ ଉଠି ନମସ୍କାର କଲେ)
ବୃଦ୍ଧା- (କମ୍ପିତ କଣ୍ଠରେ) କିଏ ?
ଆଗନ୍ତୁକ- ମୁଁ ଶୁଭ ରାୟ ।
ବୃଦ୍ଧା- ଓଃ !
ରଘୁ- ହଠାତ୍ ଆପଣ ? ଏତେ ରାତିରେ ? ବଡ଼ ଭାଗ୍ୟ ଯେ ଆପଣଙ୍କ ଚରଣଧୂଳି ପଡ଼ିଲା ଗରିବ କୁଡ଼ିଆରେ ।
ଶୁଭ- ଗରିବ ?
ରଘୁ- ହଁ, ନୁହେଁ ତ ଆଉ କଅଣ ? ଆମ ଛଡ଼ା ଏ ଦୁନିଆଁରେ ଆଉ ଗରିବ କିଏ ଅଛି ? ଏଇ ତ ଖଟିଆଉପରେ ରୋଗିଣୀ ମାଆ ମୋର - ପଥି ମୁଠାକର ବ୍ୟବସ୍ଥା ନାହିଁ ଯାହାର । (ଦୀପକୁ ଠାରି) ଆଉ ଏଇ ତ ଦେଖୁଛନ୍ତି । ଅବସ୍ଥାର ଏଇ ଦେଉଛି ସାକ୍ଷୀ । ସବୁ ଠିକ୍ ଏଇପରି । ଆଉ ଦଣ୍ଡେ ମୁହୂର୍ତ୍ତେ ମାତ୍ର...
ଶୁଭ- ହଁ ରଘୁଜୀ, ଦିନ ଥିଲା । ଏଇ ଘରେ ଘିଅଦୀପ ଜଳୁଥିଲା । ବୀର ସୈନିକ ସୋଲାଜୀଙ୍କ ଘର । ଏଇ ଆଖି ସେ ସୁଦିନ ଦେଖୁଛି ରଘୁଜୀ ! ଆଜି ତାଙ୍କରି ତୋଳା ଘରର ଏ ଅବସ୍ଥା ଦେଖି ବଡ଼ ଦୁଃଖ ଲାଗୁଛି ସତେ । କେତେ ଦିନ ଆଉ ଏପରି ଦୁଃଖକଷ୍ଟ ସହିପାରେ ମନୁଷ୍ୟ ?
ରଘୁଜୀ- ଯୁବକ ମୁଁ-କଷ୍ଟ ସହିପାରିବି । କିନ୍ତୁ (ମାଆଙ୍କ ଆଡ଼କୁ ଠାରି) ଷାଠିଏବର୍ଷ ଉପରେ ବୟସ ମାଆଙ୍କର । ଜୀବନଟା ସୁଖରେ କଟିଯାଇ, ଶେଷ ଦଶାରେ ମୁଠାଏ ମୋଟାରୋଟା ଅନ୍ନ ବି ଜୁଟିଲା ନାହିଁ ଆଜି । ସେଥିରେ ସେ ପୁଣି ପୀଡ଼ିତା । ମୋ ପାଇଁ ମୋର ଭାବନା ନାହିଁ; କିନ୍ତୁ ମାଆଙ୍କୁ ଚହିଁଲା- ବେଳକୁ ଛାତି ମୋର ଫାଟିଯାଉଛି । ମରିପାରୁନାହିଁ- ମାଆ ଜୀଇଥିବାଯାଏ; କିନ୍ତୁ ଜୀଇପାରୁନାହିଁ, ଏଇ ଦୁଃଖ ନେଇ ଶୁଭ ରାୟ !
ଶୁଭ- ହଁ ରଘୁଜୀ ! ବାପା ତୁମର ବୀର ସୈନିକ ଥିଲେ । ଧନ ଥିଲା ଯଥେଷ୍ଟ । ପ୍ରତିପତ୍ତ ବି ଥିଲା । ଆଜୀବନ ସେ ଢାଲ-ତରବାର ଘେନି ଖେଳି-ଖେଳି ପ୍ରାଣ ଦେଇଛନ୍ତି ଶିବାଜୀଙ୍କ ଧନ, ମାନ, ଜୀବନ ରକ୍ଷାଲାଗି । ଆଜି ସେ ସ୍ୱର୍ଗବାସୀ । ଶିବାଜୀ ତାଙ୍କରି ରକ୍ତସିଞ୍ଚା ଭୂଖଣ୍ଡ ଉପରେ ଛତ୍ରପତି । ଦିନେ ହେଲେ, ଭ୍ରମରେ ସେ ମନେ କରୁନାହାନ୍ତି ଯେ ସୋଲାଜୀଙ୍କର ବିଧବା ପତ୍ନୀ ବା ତାଙ୍କ ପୁଅ ରଘୁଜୀର ଅବସ୍ଥା କଅଣ ହେଲା ?
ରଘୁଜୀ- ଶିବାଜୀ କଅଣ କରିବେ ଶୁଭ ରାୟ ! ଭଗବାନ ବିମୁଖ । ନୋହିଲେ ଦିନମାନ ଚେଷ୍ଟାକରି ମୁଠାଏ ଅନ୍ନର ଯୋଗାଡ଼ ମୁଁ କରିପାରନ୍ତି ନାହିଁ- ରୋଗିଣୀ ମାଆପାଇଁ ମୋର ? ଶୁଭ ରାୟ ! ବେଶି କିଛି ନୁହେଁ । ମୁଠାଏ ଅନ୍ନ ଅଭାବରେ ପଳେ-ପଳେ ଜଳି ଜଳି ବୃଦ୍ଧା ମାଆ ମୋର...
ଓଃ ! (ଛାତି ଚିପି ଧରିଲେ, ଆଖିକୁ ହାତରେ ଢାଙ୍କିଦେଲେ, ଆଉ କଥା କହିପାରିଲେ ନାହିଁ)
ଶୁଭ- (ରଘୁଙ୍କ ହାତ ଧରି) ରଘୁଜୀ, ତୁମେ ବୀରର ସନ୍ତାନ । ଅଧୀର ହୁଅ ନାହିଁ- ଭାଙ୍ଗି ପଡ଼ନାହିଁ ରଘୁଜୀ ! ଏଇ କୁଟୀରକୁ ତମର ମୁଁ ସୁନାରେ ଛାଆଣି କରିଦେବି । ଭାବନା କର ନାହିଁ । ଖାଲି ତୁମେ ଇଚ୍ଛା କଲେ...
ରଘୁ- କିଛି ଚାହୁଁ ନାହିଁ ମୁଁ । ଅଧିକ ଖୋଜୁନାହିଁ, ମୁଠାଏ ଅନ୍ନ । ଖାଲି ମୁଠାଏ ଅନ୍ନ - ଏଇ ମୋର ମାଆର ଜୀବନ ପାଇଁ ।
ଶୁଭ- କହିଲି ତ ଖାଲି ତୁମେ ଇଚ୍ଛା କଲେ - ତୁମେ ରାଜି ହେଲେ...
ରଘୁ- ମୁଁ ? ମୁଁ ଇଚ୍ଛା କଲେ ? ମୋ ଇଚ୍ଛା ଉପରେ କଥା ? କହ ତେବେ ଶୁଭ ରାୟ । ମୁଁ ରାଜିଅଛି ।
ଶୁଭ- ଆସ,ବାହାରକୁ ଆସ ।
(ଦୁହେଁ ବାହାରି ଗଲେ)
[ପଥ । ରାତ୍ରି କାଳ - ଶୁଭରାୟ ଓ ରଘୁଜୀ କଥା ହେଉହେଉ ଆସିଲେ]
ଶୁଭ- କେବଳ ତୁମେ ପାରିବ ରଘୁଜୀ !
ରଘୁଜୀ- ମୁଁ ପାରିବି ! କିଭଳି କାର୍ଯ୍ୟ ସେ ?
ଶୁଭ- ପିତାର ଶତ୍ରୁ-ନିଧନ ।
ରଘୁଜୀ- ପିତାର ଶତ୍ରୁ ? କିଏ ସେ ?
ଶୁଭ- ସେ ଆଉ କେହି ନୁହେଁ ରଘୁଜୀ ! ଶିବାଜୀ- ଆଜି ଯେ ଛତ୍ରପତି । ଅକୃତଜ୍ଞ ଶିବାଜୀ- ତୁମ୍ଭର ବୀର ପିତା ଯାହାଙ୍କର ଉପକାର ଲାଗି ଜୀବନ ଦେଇଛନ୍ତି । ଆଉ ସେହି ପିତାର ସନ୍ତାନ ତୁମେ- ଆଜି ନିରନ୍ନ । ଏ କଅଣ ଶତ୍ରୁତା ନୁହେଁ ? ଅବିଚାର ନୁହେଁ ? ଅକୃତଜ୍ଞତା ନୁହେଁ ? ରଘୁଜୀ ?
ରଘୁଜୀ- କିନ୍ତୁ ମୋ ଦ୍ୱାରା ଏ କାର୍ଯ୍ୟ ହେବା ଅସମ୍ଭବ । ଶୁଭ ରାୟ ! ଶିବାଜୀ ଦେଶର ଗୌରବ । ତାଙ୍କର ବିଚାର, ଅବିଚାର ଉପରେ ବିଚାର କରିବା ମୋର ଧୃଷ୍ଟତା ହେବ ଶୁଭରାୟ !
ଶୁଭ-ତେବେ ଆଖିଆଗରେ ତୁମର ବୃଦ୍ଧାମାତା ରୋଗଶଯ୍ୟାରେ...ମୁଠିଏ ଅନ୍ନର ଅଭାବରେ...
ରଘୁଜୀ- (କଥାରେ ବାଧାଦେଇ) ଥାଉ, ତୁନି ହୁଅ ଶୁଭ ରାୟ ! ନିରାହାରରେ ମୁଁ ମୋର ରୋଗିଣୀ ବୃଦ୍ଧାମାତାଙ୍କୁ ମରିବାକୁ ଦେବି ନାହିଁ । ତା’ ବଦଳରେ ନିଜର ଜୀବନ ବଳିଦେବାକୁ ପ୍ରସ୍ତୁତ ମୁଁ ଶୁଭରାୟ ! କହ, ତୁମେ କଅଣ କହୁଥିଲ ? ମୁଁ ପ୍ରତିଜ୍ଞା କରୁଛି- ଯାହା କରିବାକୁ କହିବ, କରିବି; ପ୍ରତିଦାନରେ ମୋ ମାଆଙ୍କର... ମୋ ମାଆଙ୍କର ଜୀବନ ଭିକ୍ଷା- ତାଙ୍କର ଶେଷ ଜୀବନ ଅନାହାରରେ କଷ୍ଟ ନ ଭୋଗୁ । ତୁମେ ବଚନ ଦିଅ । ବଚନ ଦିଅ-ମୋତେ ସାହାଯ୍ୟ କରିବ ଏତକ ।
ଶୁଭ- (ଉପରକୁ ହାତ ବଢ଼ାଇ) ଚନ୍ଦ୍ର, ସୂର୍ଯ୍ୟ, ଭଗବାନଙ୍କ ସାକ୍ଷ୍ୟରେ ମୁଁ ବଚନ ଦେଉଛି ରଘୁଜୀ ! ମୁଁ ମୋର ପ୍ରତିଜ୍ଞା ଅବଶ୍ୟ, ଅବଶ୍ୟ ପାଳନ କରିବି ।
ରଘୁଜୀ- କହ, ତେବେ ମୋତେ କଅଣ କରିବାକୁ ହେବ ।
ଶୁଭ- ଶିବାଜୀଙ୍କ ଶୟନକକ୍ଷରେ ପ୍ରବେଶ କରିବାକୁ ହେବ । ତାଙ୍କୁ ହତ୍ୟା କରିବାକୁ ହେବ । ସେ ସୁଯୋଗ ଆଜି । ଶିବାଜୀ ନିଶ୍ଚିନ୍ତ ମନରେ ଛାଉଣୀରେ ଅଛନ୍ତି । ବିଶେଷ ପ୍ରହରୀ ନିଯୁକ୍ତ ନାହାନ୍ତି । ଏହି ରାତ୍ରିର ସୁଯୋଗ ନେବାକୁ ହେବ ତୁମକୁ ରଘୁଜୀ ! କୃତଘ୍ନର ଶିରଚ୍ଛେଦ । ଏଇ ନିଅ ତରବାରି ।
ରଘୁଜୀ-(ହାତ ବଢ଼ାଇ ତରବାରି ଧରୁ-ଧରୁ ଚମକି ଉଠି) ତରବାରି !
ଶୁଭ- ହଁ ରଘୁଜୀ, (ଛାତିରେ ହାତମାରି) ଦୁର୍ବଳ ହୁଅ ନାହିଁ ତୁମେ । ମନେରଖ ତୁମ ଭାଗ୍ୟ ପରିବର୍ତ୍ତନର ଏଇ ମାତ୍ର ଅବସର ।
ରଘୁଜୀ- (ତରବାରି ଗ୍ରହଣ କରି) ଦିଅ ମୋତେ ତୁମର ତରବାରି । ମୋ ମାଆଙ୍କର ଜୀବନରକ୍ଷା ଲାଗି ମୁଁ ସବୁ କରିବାକୁ ପ୍ରସ୍ତୁତ ଅଛି । ଖାଲି ମୁଠିଏ ଅନ୍ନ...
ଶୁଭ- ଚାଲ, ମୁଁ ତମୁକୁ ଆଗେଇ ଦିଏଁ ।
(ଉଭୟେ ପ୍ରସ୍ଥାନ କଲେ)
[ଶିବିର-ଶିବାଜୀ ଶୁପ୍ତ । ଦୀପାବଳୀ ପ୍ରଜ୍ୱଳିତ । ଧୀରେ ଧୀରେ ପ୍ରବେଶ କଲେ ରଘୁଜୀ । ହସ୍ତରେ ତାଙ୍କର ଉଲ୍ଲଙ୍ଗ ତରବାରି । ରଘୁଜୀ, ଶିବାଜୀଙ୍କ ପଲଙ୍କ ନିକଟରେ ଉପସ୍ଥିତ ହୋଇ ତରବାରି ଉତ୍ତୋଳନ କରୁ କରୁ ହାତ ନଇଁପଡ଼ିଲା ତାଙ୍କର । ସେ ଶିବାଜୀଙ୍କ ଆଡ଼କୁ ନିର୍ନିମେଷ ନୟନରେ ଅନାଇଁ ରହିଲେ । ଆତ୍ମାଶ୍ଳାଘାରେ ତାଙ୍କର ଉଜ୍ଜ୍ୱଳ ଆଖି ମଳିନ ହୋଇଆସିଲା । ଟିକିଏ ପଛେଇ ଆସିଲେ ସେ । ଅଳ୍ପକ୍ଷଣପରେ ପୁଣି ଅଗ୍ରସର ହେଲେ । ପଦଶବ୍ଦରେ ସହସା ଶିବାଜୀ ଜାଗ୍ରତ ହେଲେ]
ଶିବାଜୀ- (ଉଠି ବସି) କିଏ ? କିଏ ତୁ ?
ରଘୁଜୀ- ମୋ ନାମ ରଘୁଜୀ ।
ଶିବାଜୀ- ଏତେ ରାତିରେ ମୋ ଶିବିର ଭିତରକୁ କାହିଁକି ଆସିଥିଲୁ ? ହାତରେ ତୋର ଖୋଲା ତରବାରି ! ସତ୍ୟ କହ ।
ରଘୁଜୀ- ବୀରର ସନ୍ତାନ ମୁଁ । କ୍ଷତ୍ରିୟ । ମିଥ୍ୟା କହି ଶିଖିନାହିଁ ।
ଶିବାଜୀ- ତୋର ଆସିବାର ଅଭିପ୍ରାୟ ?
ରଘୁଜୀ- ଆପଣଙ୍କୁ ହତ୍ୟା କରିବାକୁ ଆସିଥିଲା, ମହାରାଜ !
ଶିବାଜୀ- ହତ୍ୟା ? ମୋତେ ? ତେବେ କଲୁନାହିଁ କାହିଁକି ? ମୁଁ ତ ଶୋଇଥିଲି । ହତ୍ୟାର ଯଥେଷ୍ଟ ସୁଯୋଗ ଥିଲା ।
ରଘୁଜୀ- ସେ କଥା ସତ୍ୟ; କିନ୍ତୁ ପାରିଲି ନାହିଁ ମହାରାଜ !
ଶିବାଜୀ- ପାରିଲୁ ନାହିଁ ? କାରଣ ?
ରଘୁଜୀ- ଆସିଥଲି ହତ୍ୟା କରିବାକୁ ମୋର ମାଆଙ୍କର ପ୍ରାଣରକ୍ଷା ଲାଗି । କିନ୍ତୁ ଆପଣଙ୍କ ଶରୀରରେ ଦେଖିଲି ବୀରତ୍ୱର ଉଜ୍ୱଳ ଝଲକ । ମୋର ମଥା ନଇଁଗଲା । ତରବାରି ନଇଁଗଲା । ହାତ ଥରିଉଠିଲା । ବିବେକ ବାରଣ କଲା । ହତ୍ୟା କରିପାରିଲି ନାହିଁ ।
ଶିବାଜୀ- ମୋତେ ହତ୍ୟା କରିଥିଲେ ତୋ ମାଆଙ୍କର ଜୀବନରକ୍ଷା କିପରି ହୋଇପାରିଥାନ୍ତା ?
ରଘୁଜୀ- ଆଉ କିଛି ନୁହେଁ ମହାରାଜ ! ଅନ୍ନକଷ୍ଟରେ ମାଆ ମୋର ଶଯ୍ୟାଗତା । ସେ ଶେଷ ମୂହୁର୍ତ୍ତକୁ ମାତ୍ର ଅପେକ୍ଷା କରି ରହିଛନ୍ତି । ଆପଣଙ୍କୁ ହତ୍ୟା କରିପାରିଥିଲେ ଶୁଭ ରାୟ ଏ ଅନ୍ନକଷ୍ଟ ଦୂର କରିବାର ବଚନ ଦେଇଥିଲେ ।
ଶିବାଜୀ- ଶୁଭ ରାୟ ମୋର ପରମଶତ୍ରୁ ! ତୁ ତାଙ୍କର ପ୍ରୋରଚନାରେ ମୋତେ ହତ୍ୟା କରିବାକୁ ଆସିଥିଲୁ ?
ରଘୁଜୀ- ହଁ, ମହାରାଜ !
ଶିବାଜୀ- ଜାଣୁ, ତୋର ଅପରାଧ କେଡ଼େ ଗୁରୁତର ?
ରଘୁଜୀ- ଜାଣେ ମହାରାଜ ! ରାଜଦ୍ରୋହ-ନା ନା-ତା’ଠାରୁ ବଳି- ଆହୁରି ଗୁରୁତର ।
ଶିବାଜୀ- ଆଉ ଏ ଅପରାଧର ଶାସ୍ତି-ଶାସ୍ତି ?
ରଘୁଜୀ- ପ୍ରାଣଦଣ୍ଡ । କିନ୍ତୁ ମହାରାଜ ! ଆପଣଙ୍କର ଅପରାଧ ମଧ୍ୟ ଊଣା ନୁହେଁ ।
ଶିବାଜୀ- ମୋର ଅପରାଧ ? କି ଅପରାଧ ମୁଁ କରିଛି ?
ରଘୁଜୀ- ମୋର ପିତା ଜଣେ ବୀର ସୈନିକ ଥିଲେ । ଆପଣଙ୍କ ସେବାରେ ସେ ତାଙ୍କର ଜୀବନ ଉତ୍ସର୍ଗ କରିଛନ୍ତି । ନିଜର ପ୍ରାଣକୁ ତୁଚ୍ଛ କରି ଆପଣଙ୍କ ପକ୍ଷରେ ରହି ଦୁର୍ଦ୍ଧର୍ଷ ମୋଗଲ ସେନା ବିରୁଦ୍ଧରେ ଲଢ଼ିଛନ୍ତି । ସେ ଯୁଦ୍ଧରେ ଜୀବନ ବିସର୍ଜନ କରି ଆଜି ସ୍ୱର୍ଗବାସୀ - ଆଉ ତାଙ୍କରି ଦାୟାଦ ଆମେ ନିରନ୍ନ । ଆପଣ ଥରେ ସେ କଥା ସ୍ମରଣ କରିଛନ୍ତି କି ? ଭ୍ରମରେ ମୁଠିଏ ଅନ୍ନର ସଂସ୍ଥାନ କରିଦେଇଅଛନ୍ତି କି ? ଦୟାର ଲେଶମାତ୍ର ଆପଣଙ୍କ ହୃଦୟରେ ସ୍ଥାନ ନାହିଁ । ଏ କଅଣ ଅପରାଧ ନୁହେଁ ଆପଣଙ୍କର ? ମୋର ଅପରାଧଠାରୁ ଆପଣଙ୍କ ଅପରାଧ କଅଣ ଅଧିକ ନୁହେଁ ମହାରାଜ ! ଧୀରସ୍ଥିର ଚିତ୍ତରେ ଟିକିଏ ବିଚାର କରନ୍ତୁ ।
ଶିବାଜୀ- ଉଦ୍ଧତ ଯୁବକ ! ମୃତ୍ୟୁର ଭୟ ନାହିଁ ତୋ’ର ? ତୁ ଏଡ଼େ ସାହସର କଥା କହୁଛୁ ? ଜାଣୁ, କାହାକୁ ତୁ କଅଣ କହୁଛୁ ?
ରଘୁଜୀ- ଜାଣେ ମହାରାଜ ! ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଏ ମୋର ପ୍ରଳାପ ନୁହେଁ । ଆଉ ଥରେ ସ୍ମରଣ କରାଇଦେଉଛି ମହାରାଜ ! ମୁଁ ସତ୍ୟ କହୁଛି । ମୃତ୍ୟୁଭୟ କାହାକୁ ଦେଖାଉଛନ୍ତି ? ଆପଣଙ୍କୁ ତ ମୁଁ ମୋର ପ୍ରକୃତ ପରିଚୟ ଦେଇଛି । ବୀର ସୈନିକ ଶୋଲାଜୀର ପୁତ୍ର ମୁଁ । ମୋର ପୁଣି ମୃତ୍ୟୁଭୟ ? ମୁଁ କ୍ଷତ୍ରିୟ ଯେ, ମହାରାଜ !
ଶିବାଜୀ- ବେଶ୍, ତା’ ହେଲେ ଦଣ୍ଡ ଗ୍ରହଣ ଲାଗି ପ୍ରସ୍ତୁତ ହୁଅ । ମୁଁ ତୋ’ର ପ୍ରାଣଦଣ୍ଡର ଆଦେଶ ଦେଲି ।
ରଘୁଜୀ- ମୁଁ ଆନନ୍ଦରେ ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ କଲି । କିନ୍ତୁ ମହାରାଜ ! ତହିଁପୂର୍ବରୁ ମୋର ଏକମାତ୍ର ପ୍ରାର୍ଥନା...
ଶିବାଜୀ- କହ । କିନ୍ତୁ ପ୍ରାଣଭିକ୍ଷା ନୁହେଁ ।
ରଘୁଜୀ- ଅସମ୍ଭବ । କହିଛି ତ, କ୍ଷତ୍ରିୟ ମୁଁ । ଭୀରୁ ନୁହେଁ । ଦଣ୍ଡାଦେଶକୁ ମୁଁ ସ୍ୱାଗତ କରୁଛି । ମୃତ୍ୟୁଭୟ ମୋର ନାହିଁ ମହାରାଜ ! କେବଳ ଦୁଇ ପ୍ରହର ସମୟ ମାଗୁଛି ମୁଁ । ଖାଲି ଥରେ ମୋର ନିରାହାର-ପୀଡ଼ିତା ମାଆଙ୍କର ଚରଣ ପୂଜାକରି ଆସିବ । ତାଙ୍କୁ ଟିକିଏ ସାନ୍ତ୍ୱନା ଦେଇ ବିଦାୟ ମାଗି ଆସିବି । ମୃତ୍ୟୁପୂର୍ବରୁ ମୋର ଏତିକି ମାତ୍ର ଭିକ୍ଷା ।
ଶିବାଜୀ- କିନ୍ତୁ, ତୁ ଯେ ଫେରିଆସିବୁ ଏ କଥାରେ ମୁଁ କିପରି ବିଶ୍ୱାସ କରିବି ? ତୋର ସତ୍ୟତାର ପ୍ରମାଣ କଅଣ ?
ରଘୁଜୀ- ପ୍ରମାଣ ? ପ୍ରମାଣ ଏଇ ତରବାରି - ଆଉ ପ୍ରମାଣ ମୋର କ୍ଷତ୍ର ଧର୍ମ ।
ଶିବାଜୀ- ଆଚ୍ଛା, ମୁଁ ଦୁଇପ୍ରହର ସମୟ ଦେଲି ।
ରଘୁଜୀ- (ପ୍ରଣାମ କରି)ସାଧୁ ମହାରାଜ ! (ପ୍ରସ୍ଥାନ କଲା)
(ଶିବାଜୀ ଆସନ ତ୍ୟାଗ କରି ରଘୁଜୀର ପଛେ ପଛେ ଦ୍ୱାରଦେଶପର୍ଯ୍ୟନ୍ତ ଗଲେ । ଫେରିଆସି ପଦଚାରଣ କରୁ କରୁ କଅଣ ଭାବି ପଲଙ୍କରେ ବସିପଡ଼ିଲେ - ପୁଣି ଉଠି କକ୍ଷ ତ୍ୟାଗ କଲେ)
[ମନ୍ତ୍ରଣା କକ୍ଷ-ଗମ୍ଭୀରଭାବେ ଉପବିଷ୍ଟ ଶିବାଜୀ । ତାନାଜୀ ପ୍ରବେଶ କରି, ଅଭିବାଦନ କଲେ]
ତାନାଜୀ- ମୋତେ ସ୍ମରଣ କରିଥିଲେ ମହାରାଜ ?
ଶିବାଜୀ- ହଁ ତାନାଜୀ !
ତାନାଜୀ- ଏ ଅସମୟରେ ? କି ଆଦେଶ ?
ଶିବାଜୀ- ଏକ ଅଦ୍ଭୁତ କଥା ! ଆଶ୍ଚର୍ଯ୍ୟ ଘଟଣା ଘଟିଛି ।
ତାନାଜୀ- କଅଣ ମହାରାଜ ?
ଶିବାଜୀ- ମୋର ଶୟନକକ୍ଷରେ ଜଣେ ଆତତାୟୀ ଯୁବକ ପ୍ରବେଶ କରି ମୋତେ ହତ୍ୟା କରିବାକୁ ବସିଥିଲା ।
ତାନାଜୀ- (ଚମକି ଉଠି) ମହାରାଜଙ୍କୁ ? ଶୟନକକ୍ଷରେ ? କିଏ ସେ ଦୁରାଚାର ଯୁବକ ?
ଶିବାଜୀ- ତାର ନାମ ରଘୁଜୀ । ସୈନିକ ଶୋଲାଜୀର ପୁତ୍ର ସେ । ଶୋଲାଜୀ ଗତ ମୋଗଲ-ଯୁଦ୍ଧରେ ବୀରତ୍ୱସହକାରେ ଲଢ଼ିବାର ସ୍ମରଣ ଥିବ ।
ତାନାଜୀ- ହଁ ମହାରାଜ ! ଶୋଲାଜୀ ନିର୍ଭିକ ସୈନିକ, ବୀର । ତାର ପୁତ୍ର, ମହାରାଜଙ୍କୁ...
ଶିବାଜୀ- ହଁ ଶୁଭ ରାୟର ପ୍ରରୋଚନାରେ ରଘୁଜୀ ମୋତେ ହତ୍ୟା କରିବାକୁ ଆସିଥିଲା । କିନ୍ତୁ କାର୍ଯ୍ୟ ସାଧନ କରିପାରିଲା ନାହିଁ । ମୁଁ ତାକୁ ମୃତ୍ୟୁଦଣ୍ଡର ଆଦେଶ ଦେଇଛି ।
ତାନାଜୀ- ଏହା ତାହାର ଉପଯୁକ୍ତ ଦଣ୍ଡ ମହାରାଜ ! କାହିଁ ସେ ଉଦ୍ଧତ ଯୁବକ ?
ଶିବାଜୀ- ସେ ତାର ରୁଗ୍ଣା ମା’ ପାଖରୁ ବିଦାୟ ନେଇଆସିବାକୁ ଦୁଇପ୍ରହର ସମୟ ମାଗି ଯାଇଛି ।
ତାନାଜୀ- ଏ ତ ଠିକ୍ ହୋଇନାହିଁ ମହାରାଜ ! ସେ ଯେ ଫେରି ଆସିବ- ପୁଣି ମୃତ୍ୟୁଦଣ୍ଡ ବରଣ କରିବାକୁ - ଏ କଥାର କି ପ୍ରମାଣ ? କି ବିଶ୍ୱାସ ?
ଶିବାଜୀ- ସେ କ୍ଷତ୍ରଧର୍ମର ଶପଥ କରି ଯାଇଛି ।
ତାନାଜୀ- କିନ୍ତୁ ଆତତାୟୀର ଶପଥ ! କି ବିଶ୍ୱାସ ତାକୁ ? ଆଶ୍ଚର୍ଯ୍ୟ ଲାଗୁଛି ମୋତେ ।
(ପ୍ରହରି ପ୍ରବେଶ କରି ଅଭିବାଦନ କଲା)
ଶିବାଜୀ- କି ସଂବାଦ ପ୍ରହରୀ ?
ପ୍ରହରୀ- ଜଣେ ଯୁବକ ଦର୍ଶନପ୍ରାର୍ଥୀ ।
ଶିବାଜୀ- ଆସୁ ସେ ।
ପ୍ରହରୀ- ଯଥା ଆଜ୍ଞା ମହାରାଜ ! (ପ୍ରଣାମ କରି ଚାଲିଗଲା)
ତାନାଜୀ- ଅସମ୍ଭବ ଘଟଣା । ସତ୍ୟରକ୍ଷା କରି ମୃତ୍ୟୁଦଣ୍ତ ଗ୍ରହଣ କରିବାକୁ ଫେରିଆସିଛି ସେ ! ମୃତ୍ୟୁର ଭୟ ନାହିଁ ତା’ର ?
ଶିବାଜୀ- ଅଦ୍ଭୁତ ଯୁବକ ।
(ରଘୁଜୀ ପ୍ରବେଶ କରି ଅଭିବାଦନ କଲା)
ଶିବାଜୀ- ରଘୁଜୀ ! ମାଆଙ୍କଠାରୁ ବିଦାୟ ନେଇ ଖୁବ୍ ଶୀଘ୍ର ତ ଫେରିଆସିଲ ।
ରଘୁଜୀ- ମୁଁ ମାଆଙ୍କ ପାଖକୁ ଯାଇନାହିଁ ମହାରାଜ !
ଶିବାଜୀ- କାହିଁକି ? ମୋତେ ତ ସେହି କଥା କହି ସମୟ ମାଗିଥିଲ ?
ରଘୁଜୀ- ହଁ ମହାରାଜ ! ସମୟ ମାଗିଥିଲି, ସତ୍ୟ । ପୁଣି ବିଚାରିଲି, କାଳେ ମାଆଙ୍କର ସ୍ନେହ-ମମତା ମୋତେ ସତ୍ୟପାଳନରେ ପଶ୍ଚାତ୍ପଦ କରାଇଦେବ । ସାହସ ହେଳା ନାହିଁ ଆଉ ମାଆଙ୍କ ପାଖକୁ ଯିବାକୁ । କୁଟୀର ଦ୍ୱାରରୁ ମନେ ମନେ ତାଙ୍କୁ ପ୍ରଣାମ ଜଣାଇ ଫେରିଆସିଲି । ମୁଁ ବର୍ତ୍ତମାନ ଆପଣଙ୍କର ଦଣ୍ଡାଦେଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ଆଉ ବିଳମ୍ବ ନକରି ଘାତକକୁ ଆଦେଶ ଦିଅନ୍ତୁ ମହାରାଜ ! ମୋ’ର ଶିରଚ୍ଛେଦ ଲାଗି ।
ଶିବାଜୀ - ରଘୁଜୀ ! ତୁମର ମରଣ ସମ୍ବାଦରେ ତୁମ ମାଆ ଯେ ଅଧିକ ଦୁଃଖିତା ହେବେ । ହୁଏତ ସେ...
ରଘୁଜୀ- ନାଁ ମହାରାଜ ! ମୁଁ ତ କୁଳଧର୍ମରେ କଳଙ୍କ ଲଗାଇ ନାହିଁ । ମୋ’ର କଥା ରକ୍ଷା କରିଛି । ଏଥିରେ ବରଂ ପିତାମାତାଙ୍କର କୁଳ ଉଜ୍ୱଳ ହେବ । ଆଉ ବିଳମ୍ବ କରନ୍ତୁ ନାହିଁ ମହାରାଜ ! ମୁଁ ପ୍ରସ୍ତୁତ ଅଛି ।
ଶିବାଜୀ- ରଘୁଜୀ ! ମୁଁ ଦଣ୍ଡାଦେଶ ପ୍ରତ୍ୟାହାର କରି ପାରୁନାହିଁ । କିନ୍ତୁ ଘାତକର ଖଡ଼୍ଗରେ ସେ ଦଣ୍ଡାଦେଶ ପାଳିତ ହେବ ନାହିଁ । ଜନନୀ ଜନ୍ମ-ଭୂମିର ସମ୍ମାନରକ୍ଷାଲାଗି ଯୁଦ୍ଧରେ ତୁମକୁ ପ୍ରାଣବଳିଦାନ କରିବାକୁ ପଡ଼ିବ । ଜାଣେନା ସେଦିନ କେବେ, କେତେ ଦୂରରେ ବା କେତେ ନିକଟରେ । ତେତେଦିନ ପର୍ଯ୍ୟନ୍ତ ତୁମେ ମୋର ବିଶ୍ୱସ୍ତ ଅଙ୍ଗରକ୍ଷୀ । ଏଇ ନିଅ ତୁମେ, ଆତ୍ମବଳୀର ସହାୟ !
(ନିଜର ତରବାରି ବଢ଼ାଇଦେଲେ)
ରଘୁଜୀ- (ନତଜାନୁରେ ତରବାରି ଗ୍ରହଣ କରି ଚୁମ୍ବନ କଲା, ଶିବାଜୀଙ୍କ ଚରଣତଳେ ତରବାରି ରଖି, ମସ୍ତକ ଆନତ କରି କହିଲା) ମୋର ଅପରାଧ କ୍ଷମା କରନ୍ତୁ । ଆଜି ବିଶ୍ୱାସ କଲି ମହାରାଜ ! ଭଗବାନ୍ ସତ୍ୟ । ଆଉ ବୁଝିପାରିଲି ମୁଁ, ଆପଣ କାହିଁକି ଛତ୍ରପତି- କାହିଁକି ମହାନୁଭବ ।
(ତରବାରି ଧରି ଠିଆ ହେଲା ।
ଶିବାଜୀ ତାର ଶିର ସ୍ପର୍ଶ କଲେ)
ରଘୁ ଓ ତାନାଜୀ- ‘‘ଜୟ ଛତ୍ରପତି ଶିବାଜୀ କି ଜୟ’’ ।