ଜୟଦେବ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

(ନାରାୟଣ ଓ ଲକ୍ଷ୍ମୀ ଦୋଳିରେ ଆସୀନ, ପରିଚାରିଗଣ ଦୋଳି ଝୁଲାଉଥିବାବେଳେ ବହିର୍ଦ୍ୱାରରେ ନାରଦ ଗାଉଥିଲେ ।)

-ଗୀତ-

ଜୟତୁ... ଜୟତୁ... ଜୟତୁ... ଜୟତୁ

(ନମୋ ନାରାୟଣ ଜଗଜୀବନ ଜୟତୁ.. ଜୟତୁ... ଜୟତୁ)

ସୁନ୍ଦର ହେ- ମନମୋହନ ମୋହନ ! ଶ୍ୟାମକାନ୍ତି କମ କାମ ସୁଶୋଭନ ନବଘନ-କାନ୍ତି, ଯୋଗୀଜନ ଶାନ୍ତି, ନବୀନ ନୀରଦ ନିନ୍ଦିତ ବର ଅପଘନ । ଜୟତୁ

ନାରାୟଣ- ପ୍ରିୟେ !

ଦେବର୍ଷି ନାରଦ-

ଲକ୍ଷ୍ମୀ- ଚତୁରୀକା !

ପ୍ରଭୁଙ୍କ ଆଦେଶ- (ଠାରି ଦେଲେ)

ଚତୁରୀକା- (ଦ୍ୱାରକୁ ଯାଇ)

ସ୍ୱାଗତ ହେ ମୁନିବର ! (ଘେନି ଆସିଲେ)

ନାରଦ- ନମୋ ନମୋ ଦେବ ନାରାୟଣ !

ନାରାୟଣ- ଦେବର୍ଷେ ! କୁଶଳ ତ ? (ଆସନ ନିର୍ଦ୍ଦେଶ)

ନାରଦ- ନିର୍ଝରର ଉତ୍ତରଳ ଧାର ସରି

ଶିରେ ଯାର ଅବିରଳ ଝରେ-

ତବ ଆଶୀର୍ବାଦ ଜଳ,

ଅଶିବ କି ତାର ?

ନାରାୟଣ !

ଆସିଥିଲା ଦାସ-ଭ୍ରମି ତ୍ରିଭୁବନ

ନିବେଦିବ ପ୍ରଭୁପାଦେ ମର୍ତ୍ତ୍ୟର କାହାଣୀ ।

ନାରାୟଣ- ତୃପ୍ତହେଲି ହେ ନାରଦ !

କହ, କି ବାରତା ?

ନାରଦ- ହେ ଶ୍ରୀପତି !

କି ନଜାଣ ଦେବ !

କଳିଯୁଗେ, ମର୍ତ୍ତ୍ୟଧାମେ-

ପବିତ୍ର ଉତ୍କଳ ଖଣ୍ଡେ;

ଥାଉ ଆନ କଥା-

ଯହିଁ ସ୍ୱୟଂ ହେ ଶ୍ରୀଧର !

ଆପଣେ ବିହର

ନୀଳାଚଳ ଶ୍ରୀପୁରୁଷୋତ୍ତମେ-

କି ବର୍ଣ୍ଣିବି ସେ ଦେଶ ମହିମା !

ଦକ୍ଷିଣ-ପଶ୍ଚିମେ ତା’ର

କୁଶଭଦ୍ରା ପ୍ରାଚୀନଦୀ ମଧ୍ୟେ

ଦେବଅଂଶେ ଜାତ ଜୟଦେବ,

କେନ୍ଦୁଲି ଶାସନେ ।

ଶ୍ରୀ ଗୀତଗୋବିନ୍ଦ ରୂପେ

ଯା କଣ୍ଠୁ ସ୍ଫୁରିବ ହରି-ରସ ।

ଭକ୍ତବର

ସନ୍ନ୍ୟାସ ଆଚରି, ଯାପେ ଦିନ ।

କିନ୍ତୁ, ଶକ୍ତିର ମିଳନ ବିନା

ଅନୁମାନେ ମୁହିଁ

ଅସମ୍ପୂର୍ଣ୍ଣ ହେବ ରସଗୀତି ।

ତେଣୁ ହେ ଗୋବିନ୍ଦ !

ନିବେଦନ ପଦକଞ୍ଜେ-

ଉପାୟ ବିଧାନ ।

ନାରାୟଣ- ସତ୍ୟ, ହେ ଦେବର୍ଷେ !

ଜୟଦେବ ପଣ୍ଡିତ ପ୍ରବର,

ମାତ୍ର, କାନ୍ତ ମଧୁ ଶକ୍ତି ବିନା

ଅପୂର୍ଣ୍ଣ ରହିବ ଭାବଧାରା ।

କିନ୍ତୁ- (ଭାବନାରେ ଲକ୍ଷ୍ମୀଙ୍କ ଆଡ଼କୁ ଚାହିଁଲେ)

ଲକ୍ଷ୍ମୀ- ତେଜ ମନୁ ଭାବନା ଗୋବିନ୍ଦ !

ଇଚ୍ଛା ଯଦି ତବ,

କି ଅଦେୟ ଅଛି ମୋର ?

ଦେଲି ଶକ୍ତି-

କର ନିୟୋଜିତ ତବ କର୍ମ୍ମେ ।

ତ୍ରିଦିବଦୁର୍ଲ୍ଲଭ -ରାମା

ପଦ୍ମଗନ୍ଧା, ପଦ୍ମାବତୀ ନାମେ

ଜନମିବ ମର୍ତ୍ତ୍ୟେ କନ୍ୟାରତ୍ନ ।

ଇଚ୍ଛା ତବ ହେଉ ହେ ସଫଳ ।

ନାରଦ- ଅଶେଷ କରୁଣାମୟୀ

ଶକ୍ତି ସ୍ୱରୂପିଣୀ,

ବନ୍ଦେ ମା ଗୋ ! ଚରଣ କମଳେ । (ପ୍ରଣାମ)

 

 

 

 

 

 

 

ପରିଚୟ

ପ୍ରଥମ ଦୃଶ୍ୟ

(ପଦ୍ମାବତୀଙ୍କ ଗୃହର ତୁଳସୀ ବଗିଚା । ଅନତିଦୂରରେ ଶୁଭୁଥିଲା ବଂଶୀ,- ବଡ଼ ମଧୁର ସେ ସ୍ୱର । ବାଳିକା ପଦ୍ମା ଦୌଡ଼ି ଦୌଡ଼ି ଅଣ୍ଟିରେ ଧରି ଥିବା ଗୁଡ଼ିଏ ଫୁଲକୁ ଗୁନ୍ଥି ଗୁନ୍ଥି ଆସୁଛନ୍ତି । ଖୁବ୍ ଜୋରରେ ଦୌଡ଼ି ଆସିବାରୁ ତାଙ୍କର ଗୁରୁ ନିଶ୍ୱାସର ଶବ୍ଦ ବାରିହୋଇ ପଡ଼ୁଥିଲା । ବଡ଼ ଉତ୍କଣ୍ଠିତା ହୋଇ ଡାକିଲେ-)

ପଦ୍ମା- ଦେବ, ଦେବ, ଦେବ ! (ଡାକ ଶୁଣି ବଂଶୀ ବନ୍ଦ ହେଲା । ରହି ରହି ଡାକିଲେ ବହୁ ବାର- ଉତ୍ତର ନାହିଁ, ଫୁଲଗୁଡ଼ିକ ଗୁନ୍ଥି ବସିଲେ- ଖୁବ୍ ତର ତର ହୋଇ, ପୁଣି ବଂଶୀ ଶୁଭିଲା, ଅଧୀରା ହାଇ ସେଆଡ଼କୁ ଟିକିଏ ଯାଇଁ ଡାକିଲେ) ଦେବ ! ଦେବ ! (ବଂଶୀ ଅନ୍ୟ ଦିଗରେ ଶୁଭିଲା; କିନ୍ତୁ ଉତ୍ତର ନାହିଁ, ପୁଣି ଡାକିଲେ । ଚାରି ଛଅ ବାର ଏମିତି ଡାକି ଡାକି ବିରକ୍ତ ହେଇ କହିଲେ) ଆରେ ! ଦେବ ! (ଉତ୍ତର ମିଳିଲା ନାହିଁ, ନିତାନ୍ତ ବ୍ୟସ୍ତ ହୋଇ ଅଭିମାନରେ କହିଲେ) ହଉ, ନ ଶୁଣ, ଦେଖିବା ଭଲା, ଆଉ ଯେବେ କେବେ ଡାକିଛି ! (ଫୁଲ ଗୁନ୍ଥାରେ ଯେମିତି ମନ ଭାରି ଲାଗିଗଲା, ବଂଶୀ ମଧ୍ୟ ବନ୍ଦ ହେଇଗଲା- ଗାଇଲେ ଗୁଣୁ ଗୁଣୁ କରି ପଦେ ଗୀତ, ସଙ୍ଗେ ସଙ୍ଗେ ସେହି ସ୍ୱରରେ ବଂଶୀ ବାଜିଲା ଅଦୂରେ, ସେହିଆଡ଼କୁ ଚାହିଁ ପଦ୍ମା ଗାଉଥିଲେ, ହଠାତ୍ ଗୀତ ବନ୍ଦ କରି ଦେଲେ, ବଂଶୀ ମଧ୍ୟ ନୀରବ, ପୁଣି ଡାକିଲେ) ଦେବ ! (ଜିଭ କାମୁଡ଼ି ପକାଇ କହିଲେ-) ନାଃ, ମୁଁ ଆଉ ଗାଇବି ନାହିଁ । (ଗୁନ୍ଥିଲେ ହାର) ।

ଦେବଦାସ- (ବଂଶୀ ବନ୍ଦକରି, ପଛରୁ ଆସି, ଚୁପ୍‌ଚୁପ୍ ପଦ୍ମା ନ ଜାଣିଲା ପରି ଠିଆ ହୋଇ, ହଠାତ୍ ପଦ୍ମା ହାତରୁ ହାରଟି ନେଇଗଲେ) ।

ପଦ୍ମା- (ଚମକି, ଅଭିମାନରେ କାନ୍ଦି ପକାଇବା ପରି) ଆରେ, ନାଁ- (ଦେବଦାସର ହାତ ଧରି ନେଲେ) ମୋ ହାର ।

ଦେବ- ନଦେବି !

ପଦ୍ମା- ଆରେ, ମୁଁ ତାକୁ ମୋ ଦିଅଁଙ୍କ ପାଇଁ ଗୁନ୍ଥିଛି ।

ଦେବ- (ହାରଟି ବେକରେ ପିନ୍ଧି) ହେଇ, ମୁଁ ମାରା କରି ଦେଲିଣି ପିନ୍ଧି ପକାଇ- ଆଉ ତୋ ଦିଅଁ କେମିତି ପିନ୍ଧିବେ ?

ପଦ୍ମା- ନ ପିନ୍ଧିଲେ ନାଇଁ ଯା, ମୋ ହାର ଦିଅ, ମୁଁ ତମକୁ ଦେବି ନାଇଁ ।

ଦେବ- କାହିଁକି ଦବୁ ନାହିଁ ?

ପଦ୍ମା- କାହିଁକି ଦେବି ? ମୁଁ ଡାକିଲାବେଳକୁ-

ଦେବ- (ହସି) ଓ, ତୁ ରାଗିଚୁ ମୋ ଉପରେ ?

ପଦ୍ମା- ନାଁ, ମୋ ହାର ଦିଅ ।

ଦେବ- ଆଚ୍ଛା, ଏଥର ଯଦି ବରାବର ତୁ ଡାକିଲେ ଶୁଣେ ? ତେବେ-

ପଦ୍ମା:- ନାଁ ।

ଦେବ- ତେବେ ବି ନାଁ- (ଦରହସି) ।

ପଦ୍ମା- ମିଛୁଆ- !

ଦେବ- ନାଁ, ଏଥର ବରାବର ଶୁଣିବି ।

ପଦ୍ମା- ନାଇଁ ତ, ମୋ ହାର ଦିଅ ।

ଦେବ- କହିଲି ତ, ମୁଁ ଶୁଣିବି । ସୁନ୍ଦର ହେଇଚି ହାରଟି- ଭାରି ଲୋଭ ହଉଚି ମୋର ।

ପଦ୍ମା- (ଅଭିମାନରେ) ହୁଁ, ଆଉ ମୁଁ ଡାକିଲା ବେଳକୁ ? ଏପାଖ ସେପାଖ ଲୁଚି ଲୁଚି ବଂଶୀ ବଜାଇବ, ଶୁଣିବ ନାଇଁ ! ନାଁ, ମୁଁ ମୋ ହାର ତମକୁ ଦେବି ନାଇଁ, ଦିଅ ।

ଦେବ- ଆଚ୍ଛା, ମୁଁ ଦଉଚି ତେବେ, ଏଇ ତୋ ହାର, ନେ ।

ପଦ୍ମା- (ହାର ନେଇ ବୁଲିପଡ଼ିଲେ ଓ ଅଣ୍ଟିରୁ ଗୋଟିଏ ସୁନ୍ଦର ଗୋଲାପ ଆଣି ହାର ମଝିରେ ଦେଇ ହାର ଶେଷ କରି ବସିଲେ)।

ଦେବ- ଆରେ ବାଃ ! ଏଡ଼େ ସୁନ୍ଦର ଗୋଲାପଟି କୋଉଠି ରଖିଥିଲୁ ମ ! ଏଇଟିକୁ ତ ହାର ଭିତରେ ଗୁନ୍ଥି ନ ଥିଲୁ ? ବାଃ, ଏଥରକ ହାରଟି ସତେ ଆହୁରି ସୁନ୍ଦର ଦିଶିଲା ।

ପଦ୍ମା- (ନୀରବ) ।

ଦେବ- କଥା କହିବୁ ନାଇଁ, ନା ? ମୁଁ ତେବେ ଯାଉଚି, ମୋର କାମ ଅଛି, ଥା ।

ପଦ୍ମା- ମିଛୁଆ, ସବୁଦିନ ଖାଲି ମତେ ଠକିବ ? ଉଁଃ, ସତେ ଯିମିତି କେତେ କାମ ଅଛି ! ଗୁଡ଼ ଘର ପିମ୍ପୁଡ଼ି ଖାଇ ଯାଉଚି, ୟେ ଗଲେ ଜଗିବେ ପରା !

ଦେବ- ପଚାରିଲେ କଥା କହିବୁ ନାଇଁ, ହାରଟି ନେଇ ପିନ୍ଧିଥିଲି ଯେ ଛଡ଼େଇ ନେଲୁ-

ପଦ୍ମା- ନେଲି ତ ନେଲି, ବେଶ୍ କଲି ।

ଦେବ- ମୁଁ ସେମିତି ଗଲି ତ ଗଲି, ବେଶ୍ କଲି (ପାହୁଣ୍ଡେ ପିଠି ଫେରାଇ ଯାଇ) ।

ପଦ୍ମା- (ଅଭିମାନରେ) ହଁ (ଚାହିଁଲେ ଗତି ପଥକୁ) ।

ଦେବ- (ଫେରି ଚାହିଁ) ହଁ, କଅଣ ?

ପଦ୍ମା- ମୁଁ ଡାକିଲାବେଳେ ?

ଦେବ- କହିଲି ତ ଏଥର ବରାବର ଶୁଣିବି ।

ପଦ୍ମା- (ପୂର୍ବପରି) ହୁଁ ।

ଦେବ- ବେଶ୍, ତେବେ ଏଥର ହାରଟି ଦେ [ପାଖକୁ ଆସି ହାତ ବଢ଼ାଇ]

ପଦ୍ମା- ନାଁ- ।

ଦେବ- ତେବେ ମୁଁ ଯାଉଚି ।

ପଦ୍ମା- [ନୀରବ] ।

ଦେବ- ବାଃ, ହାରଟି ଦେ, ନା- ନାହିଁ ମୋ ଦିଅଁଙ୍କର- ମୁଁ ଯାଉଚି ନା- ଚୁପ୍ ।

ପଦ୍ମା- ଥରେ ବଂଶୀ ବଜାଅ ।

ଦେବ- ତୁ ତେବେ ଗାଆ-

ପଦ୍ମା- [ଦର ହସି ଗାଇଲେ] ।

ନାଚ-ନାଚ

ନାଚ ନନ୍ଦକିଶୋର କହ୍ନାଇଁ,

ଥରେ କୁଞ୍ଜରେ ବଂଶୀ ବଜାଇ ।୦।

ମନ୍ଦ ସମୀରେ ସୁଗନ୍ଧ ଲୁଚାଇ

ନୀଳ ଯମୁନା ନଚାଇ ନଚାଇ,

ରାଧା ରାଧା ଗାଇ ଗାଇ ।୧।

(ଦେବଦାସ ବଂଶୀ ବଜାଇଲେ ପଦ୍ମାବତୀର ଡାହାଣ କରକୁ ଲାଗି ଠିଆହୋଇ । ମଝିରେ ପଦ୍ମାବତୀଙ୍କ ଅଜଣାରେ ଗୀତ ବନ୍ଦ ହେଇଗଲା, ବଂଶୀ ବାଜୁଥାଏ, ପଦ୍ମା ଦେବଦାସଙ୍କ ଗଳାରେ ହାରଟି ପିନ୍ଧାଇ ଦେଲେ) ।

ଦେବ- [ବଂଶୀ ବନ୍ଦ କରି] ଆରେ ! ହାରଟି ମୋ ଗଳାରେ ତୁ ନିଜେ ପିନ୍ଧାଇ ଦେଲୁ ଯେ !

ପଦ୍ମା- ବେଶ୍ କଲି, ମୋ ମନ, ମୋ ଖୁସି ।

ଦେବ- ତେବେ ତୋ ଦିଅଁ-

ପଦ୍ମା- ତୁମେ ଏଣିକି, ମୁଁ ଡାକିଲେ-

ଦେବ- ବରାବର ଶୁଣିବି ।

ପଦ୍ମା- ମୋର ଯେତେବେଳେ ମନ-

ଦେବ- ସେତେବେଳେ ।

ପଦ୍ମା- ଆଚ୍ଛା ଦେଖିବା !

(ନେପଥ୍ୟରୁ ଶୁଭିଲା- ପଦ୍ମା !)

ଦେବ- ତେବେ ମୁଁ ଯାଉଚି ଆଜି, (ଉଠି ଚାଲିଲେ) ପୁଣି କାଲି ଆସିବି ।

ପଦ୍ମା- (କେତେକ ପାହୁଣ୍ଡ ଯିବା ପରେ) ଦେବଦାସ !

ଦେବ- (ସେଇଠୁ ଫେରି) ଦେବଦାସୀ !

ପଦ୍ମା- [ହସି, ଛଳ କୋପ ସହ] ଆରେ ! ମୁଁ କଣ ଦେବଦାସୀ ? ନେପଥ୍ୟରୁ ଶୁଭିଲା- ପଦ୍ମା !

[ଦୁହେଁ ଦୁଇ ଦିଗକୁ ଚାଲିଗଲେ]

‘‘ଦୈବବାଣୀ’’

[ପଦ୍ମାର ପିତା ଓ ମାତା ଶୋଇଥିଲେ- ପଦ୍ମାର ଜନନୀ ସ୍ୱପ୍ନରେ ଡାକୁଛନ୍ତି ଚମକିଲା ପରି-]

ପଦ୍ମା ବୋଉ- ପଦ୍ମା ! ପଦ୍ମା !

ପଦ୍ମା ପିତା- (ଉଠି) ପଦ୍ମାବୋଉ ! ପଦ୍ମା ଶୋଇଚି ପରା ! କଅଣ ? କାହିଁକି ଡାକୁଚ ?

ପ: ବୋ- [ନିଦରୁ ଉଠି] ଉଁ ? ପଦ୍ମା ଶୋଇଚି, ନାଁ ? ଓଃ !

ପ: ପିତା- କଅଣ ! କାହିଁକି ଏମିତି ବ୍ୟସ୍ତ ହେଉଚ ? କଅଣ ହେଲା ?

ପ: ବୋ- ଓଃ, ପଦ୍ମା ଘରେ ଶୋଇଚି ତେବେ, ନାଁ ?

ପ: ପିତା- ଭୋରଟାରୁ ଆଉ କୁଆଡ଼େ ଯାଆନ୍ତା ସେ ?

ପ: ବୋ- ନାଃ, ସେ ଶୋଇଚି, ଶୋଉ । ମୁଁ ଗୋଟେ କଅଣ ସ୍ୱପ୍ନ ଦେଖିଲି ଯେ, ପଦ୍ମା ମୋର ଦେବଦାସୀ ହେଇଚି ।

ପ: ପିତା- ତା’ ପରେ (ଗମ୍ଭୀର ଭାବେ)

ପ: ବୋ- ପଦ୍ମା ବଡ଼ଦେଉଳରେ ଦେବଦାସୀ ହେଇ ଜଗନ୍ନାଥଙ୍କୁ ଫୁଲମାଳ ପିନ୍ଧେଇ ଦଉଚି ।

ପ: ପିତା- ତା’ ପରେ-

ପ: ବୋ- ନିଦଟା ଚାଉଁକରି ଭାଙ୍ଗିଗଲା ।

ପ: ପିତା- ତା’ ପରେ ?-

ପ: ବୋ- ଓହୋ ! ଦିହ ମୁଣ୍ଡ ମୋର ଝାଇଁ ମାରି ଯାଉଚି ।

ପ: ପିତା- ହଁ, ତା’ପରେ-

ପ: ବୋ- ତା’ପରେ ନିଦଟା ଭାଙ୍ଗିଗଲା ।

ପ: ପିତା- ତା’ପରେ ?-

ପ: ବୋ- ଆଉ ତା’ପରେ କଅଣ ? ଦେଖିଲି ତ ଗୋଟେ ଏମିତି ଖରାପ ସ୍ୱପ୍ନଟେ, ପଦ୍ମା ମୋର ଦେବଦାସୀ ।

ପ: ପିତା- ତା’ପରେ-

ପ: ବୋ- ତୁମେ ବି ତ କଅଣ ତାପର, ତାପର, ଲଗେଇଚ, ତୁମେ ବି କଅଣ କିଛି ଦେଖିଲ ନାଁ, କଅଣ ? ବାୟାଙ୍କ ପରି ତାପର, ତାପର ଲଗେଇଚ ଯେ !

ପ: ପିତା- ନାଁ, ମୁଁ ଦେଖିନାଇଁ, ଶୁଣିଛି, ବରାବର ଶୁଣୁଛି ।

ପ: ବୋ- କଅଣ ?

ପ: ପିତା- ସେଇ- ଅନେକ ଦିନର କଥା- ପଦ୍ମାର ଜନ୍ମ ନାହିଁ । ବଡ଼ଦେଉଳରେ, ରତ୍ନ ସିଂହାସନ ତଳେ ମୋର ସତ୍ୟ, କନ୍ୟା ହେଲେ- ସେ ହେବ ଦେବଦାସୀ ।

ପ: ବୋ- ନାଁ, ନାଁ, ପଦ୍ମା ମୋର ଦେବଦାସୀ ହବ ନାଇଁ । ମୁଁ କରେଇ ଦେବି ନାଇଁ । (ଉଠି) ନାଁ- ଏଗୁରା ଖାଲି ଦେବତାଙ୍କ ମାୟା- ଦେବକୂଟ । ପଦ୍ମା ! ପଦ୍ମା !

(ଦଉଡ଼ି ଚାଲିଗଲେ)

ପଦ୍ମା ପିତା- (ବାଧା ଦେବାକୁ ପଛେ ପଛେ ଯାଇ) ନାଁ, ନାଁ, ପଦ୍ମା ବୋଉ ! ଡାକନାଇଁ ତାକୁ ଡାକନାଇଁ, ପଦ୍ମା ଦେବତାର ଆଶୀର୍ବାଦ, ପଦ୍ମା ଦେବଦାସୀ । ନାଁ, ନାଁ, ଡାକନାଇଁ ତାକୁ, ଶୋଉ ସେ, ଶୋଉ ।

ଦୈବବାଣୀ- ଦେବ ଶର୍ମ୍ମା ! ଶପଥ ସ୍ମରଣ ନାହିଁ ?

ପଦ୍ମା ପିତା- ହଁ, ହଁ, ଦୈବବାଣୀ । ଶପଥ ! କନ୍ୟାହେଲେ ସେ ହେବ ଜଗନ୍ନାଥଙ୍କ ଚରଣର ନିବେଦିତା ଫୁଲ । ଦେବଦାସୀ, ଦେବଦାସୀ ! ଶକ୍ତି ! ଶକ୍ତି ଦିଅ ଜଗନ୍ନାଥ !

(ହାତଯୋଡ଼ି କହି କହି ଚାଲିଲେ)

 

 

 

 

 

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

[କୁଟୀର]

(କେନ୍ଦୁଲି ଗ୍ରାମ- ଜୟଦେବଙ୍କ କୁଟୀର ଖୋଲା ରହିଛି, ଭିତରୁ ରାଧାମାଧବଙ୍କର ବିଗ୍ରହ ପରିଦୃଶ୍ୟମାନ । ସମ୍ମୁଖରେ ଗୋଟିଏ ଗଛମୂଳରେ ଗୋଟିଏ ଛୋଟ ଚାନ୍ଦିନୀ ଉପରେ ସମାସୀନ ଜୟଦେବ, ଘରଭିତରୁ ଶୁଭୁଥିଲା ପରାଶର କଣ୍ଠର ସଙ୍ଗୀତ, ଜୟଦେବ ଗଛ ଉପରକୁ ଚାହିଁ ବସିଛନ୍ତି । ଆଖିରେ ଲୁହ ପୂରି ରହିଛି ।)

ପରାଶର- [ଗୀତ] ବନ୍ଦେ ନିତି

ନିରଦ ଚରଣ [ବନ୍ଦେ ନିତି]

ତାରା କୋଟି- କୋଟି ଶଶୀ, ତପନ ।

ପୂଜେ ଫୁଲ ଗନ୍ଧେ ସୁବାସ ଚୋରା,

ଗୁଣୁ ଗୀତି ଗାଏ ଗୁଞ୍ଜି ଭ୍ରମରା,

ବିକାଶେ ସୁଷମା ଗିରି ନଦୀ ବନ ।

[ପରାଶର ଗୀତ ବନ୍ଦ କରି ଆରତି କଲେ ଘଣ୍ଟି ବଜାଇ, ଆରତିର ବଳିତା ଲିଭାଇ ଜୟଦେବଙ୍କ ପାଖକୁ ଆସି ଦେଖିଲେ- ଜୟଦେବ ସଂଜ୍ଞାଶୂନ୍ୟ ଭଳି ବସିଛନ୍ତି- ଡାକିଲେ]- ଜୟଦେବ !

[ଜୟଦେବ ଶୁଣି ପାରିଲେ ନାହିଁ]

ପରା- ଜୟଦେବ ! ଆରତିର-

ଜୟ- (ଜ୍ଞାନ ଲାଭ କରି ଉଠିଲା ପରି) ଓଃ ଆରତି । (ଆଘ୍ରାଣ କଲେ) ଆରତି ସାରିଲ ?

ପରା- [ଜୟଦେବଙ୍କୁ ଖାଲି ଚାହିଁ ରହିଲେ]

ଜୟ- ମହାପାପୀ ! ରାଧାମାଧବଙ୍କର ଆରତି ଦର୍ଶନ କଲି ନାହିଁ ଆଜି ମୁଁ ।

ପରା- [ଜୟଦେବଙ୍କର ଗୋଟିଏ କାନ୍ଧରେ ହାତପକାଇ] ଜୟଦେବ !

ଜୟ- ଭାଇ ! [ଚାହିଁଲେ ପରାଶରଙ୍କୁ]

ପରା- ଆଖି ଲୁହ ଛଳ ଛଳ କାହିଁକି ?

ଜୟ- (ଦୁଃଖର ହସ ହସି) ଓଃ ନା, ସେ କିଛି ନୁହେଁ [ଆଖି ପୋଛି ପକାଇ]

ପରା- ସମ୍ମୁଖରେ ରାଧାମାଧବ ।

ଜୟ- ଦୁର୍ବଳତା, ଦଣ୍ଡକର ଦୁର୍ବଳତା ସେ ମୋର ।

ପରା- ଦୁର୍ବଳତା, ତୁମର ? ଜୟଦେବ !

ଜୟ- (ଠାରି ଦୂରକୁ ଦେଖାଇ) ଦେଖୁଚ ପରାଶର !

ପରା- ପକ୍ଷୀଟିଏ, ଶାବକକୁ ଆଧାର ଦେଉଛି ।

ଜୟ- କିନ୍ତୁ ପ୍ରତିଦାନରେ ? ଶାବକଠାରୁ ସେ କିଛି-

ପରା- ଏ ଦୁର୍ବଳତା ତୁମକୁ ସାଜେ ନାହିଁ ଜୟଦେବ !

ଜୟ- କେତେ କଷ୍ଟରେ ଆଧାର ସଂଗ୍ରହ କରି, ଚଞ୍ଚୁ ମୁନରେ ନେଇ ଆସିଛି ମାଆ ପକ୍ଷୀଟି ଛୁଆ ଲାଗି ତାର; କିନ୍ତୁ-

ପରା- ଆଘାତ ଏ ପର୍ଯ୍ୟନ୍ତ ଭୁଲି ପାରିନାହଁ ତୁମେ, ଜୟଦେବ !

ଜୟ- ପରାଶର ! ବୋଉ, ତାଙ୍କ ପଛେ ପଛେ ନନାଙ୍କୁ ହରାଇ ମୋର ଯେମିତି ଗୋଟାଏ ତିକ୍ତ ଅନୁଭୂତି ଆସିଛି, ଏ ସଂସାର ପ୍ରତି । କିଏ କାହାର ପୁତ୍ର ? କାହିଁକି ? କାହିଁକି ? କାହିଁକି ଏ ବନ୍ଧନ ? ଏଇଆ ନାଁ ସଂସାର ! ମାୟା ! ଖାଲି ଗୋଟାଏ ମୋହ !

ପରା- ଏସବୁ କଅଣ ଭାବୁଚ ତୁମେ ଆଜି ଜୟଦେବ ? ତେଣେ ରାଧାମାଧବଙ୍କ ସେବାପୂଜାରେ ବିଘ୍ନ ଘଟୁଚି । ମନେ ପଡ଼ୁନାହିଁ ?

ଜୟ- ପରାଶର ! ହଁ, ଭୁଲ କରିଚି ମୁଁ । (ଉଠି) ଆରତି ସରିଚି, ନାଁ ? ବେଶ୍ କରିଚ । ତୁମ ପରି ବନ୍ଧୁ ନଥିଲେ ବୋଧହୁଏ-

ପରା- ଚାଲ ଠାକୁରଙ୍କର ନୀତି-

ଜୟ- କିନ୍ତୁ ପରାଶର ! ମୁଁ ବୋଧହୁଏ-

ପରା- କଅଣ କହୁଚ ? କହୁ କହୁ ରହିଗଲେ ଯେ-

ଜୟ- ମୁଁ ଶ୍ରୀକ୍ଷେତ୍ରକୁ ଯିବି ।

ପରା- ଭଲ କଥା, ମୁଁ ତୁମର ଅନୁଗାମୀ ହେବି ।

ଜୟ- ତୁମେ ? ନାଁ, ନାଁ, ଘରେ ପତ୍ନୀ, ତୁମେ ଆସ ନାଇଁ ମୋ ସଙ୍ଗରେ ପରାଶର !

ପରା- ଶ୍ରୀକ୍ଷେତ୍ରରେ ତାହେଲେ କେବଳ ଅବିବାହତିମାନେ ବୋଧହୁଏ ଥାଆନ୍ତି ?

ଜୟ- ନାଁ, ଜଗନ୍ନାଥଙ୍କ ଚରଣରେ ପ୍ରଣତିର ଅଧିକାର ସମସ୍ତଙ୍କର ।

ପରା- ହଁ, ତେଣୁ ତ ସେ ଜଗତର ନାଥ- ଜଗନ୍ନାଥ ।

ଜୟ- ହଁ; କିନ୍ତୁ-

ପରା- କିନ୍ତୁ କଅଣ ?

ଜୟ- ତଥାପି-

ପରା- କିନ୍ତୁ, ତଥାପି- ଏ ସବୁର ସ୍ଥାନ ସେଠି ଆଦୌ ନାହିଁ ଜୟଦେବ ! ତୁମେ ରାଧାମାଧବଙ୍କୁ ଏଠାରୁ ନେଇ ଚାଲିଗଲେ, ମୁଁ ମଧ୍ୟ ତୁମର ସଙ୍ଗୀ ହେବି ଶ୍ରୀକ୍ଷେତ୍ରକୁ ।

ଜୟ- ମୁଁ ଗୃହହୀନ, କୁଟୁମ୍ବହୀନ, ସନ୍ନ୍ୟାସୀ, ଭୁଲିଯାଅ ନାହିଁ ପରାଶର !

ପରା- ଜ୍ୱଳନ୍ତ ଜୀବନ୍ତ ସତ୍ୟଠାରୁ ଏହା ତ ଆହୁରି ଅପାସୋରା, ମୁଁ ଭୁଲିନାହିଁ କି ଭୁଲୁନାହିଁ । ବେଶ୍, ସେ ବିଚାର ପରେ । (ନେପଥ୍ୟେ କୀର୍ତ୍ତନ ଶବ୍ଦ) ଏଇ ଶୁଣ, ଲୋକେ ଦର୍ଶନକୁ ଆସୁଛନ୍ତି; ଦୁର୍ବଳତା ଛାଡ଼ ଜୟଦେବ ! ଆସ, ଆଗେ ଦିଅଁଙ୍କ ନୀତି ବଢ଼ାଅ ।

ଜୟ- ଓଃ, ଭୁଲି ଯାଇଥିଲି ମୁଁ । ବନ୍ଧୁ ତୁମେ, ଭ୍ରମ ପ୍ରମାଦରୁ ରକ୍ଷା କରିବ ମୋତେ । ଚାଲ- (ମନ୍ଦିର ଆଡ଼କୁ ଗଲେ)

ଦ୍ୱିତୀୟ ଦୃଶ୍ୟ

(କେନ୍ଦୁଲି ଗାଆଁ ଦାଣ୍ଡ)

(ପରାଶର ପତ୍ନୀ ରୋହିଣୀ ଓ ଦୁଇ ଜଣ ଗ୍ରାମ ସ୍ତ୍ରୀଲୋକ କଥାବାର୍ତ୍ତା ଆସୁଥିଲେ)

ସରଯୁ- ଓ, ସେଇଥିକି ! ମୁଁ ବୋଇଲିକି ନୂଆବୋହୂର ତ କୋଉ ଦିନ ମଠ ହୁଅ ନାହିଁ ଏମିତି !

ରୋହିଣୀ- ଭଲା କହୁଚୁ, ସଂସାରେ କଅଣ ଘର କରି ଲୋକେ ନାହାନ୍ତି ? ଦିନ ଓଳିକର କଥା ତ ନୁହେଁ ।

ସରଯୁ- ଆଉ କଅଣ ମ ! ଜଇ ଭାଇନା କଥା କହିଲୁ ଯେ, ତାର ତିନି କୁଳକୁ ପାଣି ଦବାକୁ କେହି ବୋଇଲେ କେହି ନାଇଁ, ସେ ଏବେ ବସିଚି ବାଆଜୀ ହବ । ପରଶୁ ଭାଇନାର ନାହିଁ କଅଣ ? ସେ ପରା ଗିରସ୍ତି ଘର । ଦାଣ୍ଡମୁଣ୍ଡରେ ଏତେ ବୁଲିବାକୁ ମନ ତ ଥେଲା, ରୋହିଣୀ ଭାଉଜଟାର ହାତ ଧରି ଏତେ ହୀନିଅବସ୍ଥା କରିବା ଲାଭ କଅଣ ? ଏ କଅଣ ବାଆଜୀ ହବ !

ବିମଳ- ବାଆଜୀ ? କିଏ ପରାଶର ଭାଇନା ? ଭାଉଜ ମୋର ରାଗିଲେ ରାଗୁ ପଛେ, ମୁଁ ସତଟି କହିବି । କହିବି କିଲୋ ଭାଉଜ ?

ରୋହିଣୀ- ମଲା, କହୁନୁ ।

ବିମଳା- (ହସି) ମୋ ଭାଇନା ମନକୁ ତୁ ପାଇନଉଁ କି କଅଣ !

ରୋହିଣୀ- ଭଲ ହେଲା, ମନକୁ ନ ଆସିଲେ ଆଉ ଗୋଟେ ଘରକୁ ଆଣି ଦଉନୁ ତୁ, କିଏ ତତେ ଏବେ ମନାକଲା ? ନଇଲେ ନିଜେ ରହ ।

ବିମଳା- ଧୁତ୍, ମୁହଁରେ କଅଣ ତୋର ବାଡ଼ ବତା ନାଇଁ ? ମୋର ପରା ସେ ଭାଇନା ଲୋ !

ସରଯୁ- ନାଇଁ, ତା କଥା ଦେଖ, ଦିନରାତି କଅଣ ଯେ ସେଇ ନଈକୂଳେ ଦିହେଁ ବସି- ସେଇ ଜୟା ଭାଇନାଟା ସାଙ୍ଗରେ ମ ! - ଟୁପୁର ଟାପୁର; ଫୁସୁରୁ ଫାସର ହଉଥେବେ ଯେ !

ବିମଳା- କିଏ ଜାଣେ ଲୋ ମାଆ ! ତାଙ୍କମାନଙ୍କ ପେଟ ଭିତର କଥା । ତୁ ଟିକିଏ ଭାଉଜ ! ଭାଇନା ଉପରେ ଆଉ କାଉଁ କାଉଁ ହବୁ ନାଇଁ ।

ରୋହିଣୀ- ହେଲେ ସେଇଠୁ ? ଦିହ ଚିଡ଼ିଲେ- ‘‘ହାଣ୍ଡି ଭାଙ୍ଗିଲେ ଖପରା- ନାଁ ମନ ଭାଙ୍ଗିଲେ ଛୋପରା।’’

ବିମଳା- ହଁ ଯେ, କାଳେ କେତେବେଳେ କୋଉ କଥା ଥାଏ । ନାଇଁ ନାଇଁ ମନିଷର ମନ ତ !

ରୋହିଣୀ- ଓଃ, ଯୋଉ ତ ମନିଷ ! ସେଥିରେ ପୁଣି ମନ ! ଭାତ ବାଢ଼ି ଚାରି ଥର ଘର ବାହାର ହେଲି ଯେ ! କାଇଁ ଦେଖାଅଛି ମରଦର-

ସରଯୁ- ସକାଳେ ତ ନଈକୂଳେ ଦେଖିଥିଲି । ଆଉ କଅଣ ସେତିକି ବେଳୁ ଆସିନାଇଁ ଘରକୁ ?

ରୋହିଣୀ- କାଇଁ ? ଭାତ ତୁଉଣ ସାତ ଶୀତଳ ହେଇ ରହିଲାଣି ପରା ! ଭାତ ଯାହାକୁ ଗୋଇଠା ମାରିବ ?-

ବିମଳା- ଆଲୋ, ଭାତ ପଛେ ଗୋଇଠା ମାରୁ, ଭାଉଜ ନମାରୁ; ଭାଇନା ଯେବେ ପୁଣି ବାଆଜୀ ହୋଇଯିବ !

ରୋହିଣୀ- ହେଲେ ଏବେ, କିଏ ସାଙ୍ଗରେ ଗୋଡ଼େଇ ଯିବ ପରା । ବାଆଜୀ ହବ !

ସରଯୁ- ଯା, ଯା, ଦେଖ, ଆସିବେଣି ଅବା, ଏଠି ଦାଣ୍ଡଟାରେ ଠିଆ ହେଇ-

ବିମଳା- ଚା ଲୋ ଭାଉଜ, ତୋର ତ ଆଗେ ପେଟ ପୋଡ଼ି ଯିବଣିକି କଅଣ ! କଂସେ ଗିଳିକିରି ଥିଇରି ହେଇ ଶୁଅ ଯା ! ଭାଇନା ଯେତେବେଳକୁ ଆସିବେ, ଆସୁ ଥାଆନ୍ତୁ ମ ! ଚାଲ, ଲାଜ ମାଡ଼ୁଚି ଯେବେ, ମୁଁ ପଛେ ବାଢ଼ି ଦେବି ।

(ରୋହିଣୀର କାନି ଟାଣି ନେଇ ଚାଲିଲା ଭିତରକୁ)

(ସମସ୍ତେ ଚାଲିଗଲେ)

 

 

 

ତୃତୀୟ ଦୃଶ୍ୟ

[ଶ୍ରୀନବର- ପୁରୀ, ଦେବାର୍ଚ୍ଚନା ମଣ୍ଡପ, ଛତିଶା ନିଯୋଗ ଖଟଣୀ ଅପେକ୍ଷା କରିଛନ୍ତି ଗଜପତିଙ୍କ ଆଗମନ] ।

ବଡ଼ପଣ୍ଡା- ହଇହୋ ! ଆଚମ୍ବିତ ସ୍ୱପ୍ନ ! ରାତି ପାହା ପାହା ହେଇ ଆସୁଛି । ଜଗନ୍ନାଥେ ସପନରେ ବିଜେ କରି ପ୍ରତକ୍ଷ୍ୟରେ ମୋତେ ଯେମିତି କହୁଛନ୍ତି-

ମହାଶୁଆର- ଆସିଥିବେ, ଆସିଥିବେ, ସେମିତି ଜଣେ କିଏ ଭଗତ ନ ହୋଇଥିଲେ ଦିଅଁ ସପନେଇଁବା କି ପାଖର କଥା ? କଅଣ ନାଆଁଟା କହିଲଟି ?

ବ: ପଣ୍ଡା- ରହିଥା, ରହିଥା ଦେଖୁଛି ! ପାସୋର ଯିବ ବୋଲି ଚଟପଟ ଉଠି, ଆଗେ ଝିଅକୁ କହି ଦେଲି, ଆଲୋ କିଶୋରୀ, ଟିପି ଦେଇ ଥିବୁଟି ଟିକିଏ ଏଇ ନାଆଁଟା । ସତକୁ ସତ ପାସୋରି ଦେଲିଣି । କହୁଛି, କାନିରେ ବାନ୍ଧିଛି ତାକୁ ହେ । (କାନି ଫିଟାଇ, ଲେଖା ପଢ଼ି) ହେଇଟି, ଦେବଶର୍ମ୍ମା ।

ମହା:- ତୁରନ୍ତ ଏ କଥା ଛାମୁରେ ଏତଲା କର ।

ବ: ପଣ୍ଡା- ଦେବାର୍ଚ୍ଚନ ବଢ଼ୁ ।

ଛାମୁ ଖୁଣ୍ଟିଆ-

(ଦୁଇଟି ବେତ ବଜାଇ ବଜାଇ କହି କହି ଆସୁଛି-)

ଯା ଆଡ଼ିଆ, ଛାମୁ ଛାଡ଼, ଛାମୁ ଛାଡ଼, ଛାମୁ ଛାଡ଼ ।

ବ: ପଣ୍ଡା- ଛାମୁରୁ ବିଜେ ହେଉଛନ୍ତି । ଆରେ କାହାଳିଆ- (କାହାଳିଆ କାହାଳି ଫୁଙ୍କିଲେ, ତେଲଙ୍ଗି ବାଜା ବାଜି ଉଠିଲା)

ଭାଟ- (ରାଜ ପ୍ରଶସ୍ତି ଗାଇଲା)

ଗୌଡ଼ବାଡ଼ କର୍ଣ୍ଣାଟ ଜିତେ ଧରା କରେ ଚଉଚିର

ଗଙ୍ଗା ସେ ଗୋଦାବରୀ ମାରେ ଜୟ ଜୟ କଳିଙ୍ଗ ବୀର,

ମାନୋଦ୍ଧାରଣ ଶରଣପଞ୍ଜର ମାନଧାତା

ବୈରିଗଞ୍ଜନ, ଶିଷ୍ଟପାଳନ, ଦୁଷ୍ଟ ପରତାପ ଦାତା ।

ଜୟ ତୁ ଜୟ ତୁ ବୀର ଶ୍ରୀ ଗଜପତି ଗୋଡ଼େଶ୍ୱର

ନବକୋଟି କର୍ଣ୍ଣାଟୋତ୍କଳ ପ୍ରତାପ ବୀରବର

ଶ୍ରୀ ଶ୍ରୀ ଶ୍ରୀ କଳିଙ୍ଗକୁଳବର୍ଗାଧୀଶ୍ୱରାୟ ଭୋ ଜୟ ।

(କାହାଳି ବାଜି ଉଠିଲା)

[ଗଜପତି ମଣ୍ଡପରେ ଦର୍ଶନ ଦେଲେ ।

ଜ୍ୟୋତିଷ ମଙ୍ଗଳ ପଢ଼ିଲେ]

ଜ୍ୟୋତିଷ- ମଙ୍ଗଳଂ ଭଗବାନ୍ ବିଷ୍ଣୋର୍ମଙ୍ଗଳଂ ମଧୁସୂଦନଂ ।

ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ଗରୁଡ଼ଧ୍ୱଜଂ ।

ମାଧବୋ ମାଧବୋ ବାଚି ମାଧବୋ ମାଧବୋ ହରି

ସ୍ମରନ୍ତି ସାଧବା ନିତ୍ୟଂ ସର୍ବ କାର୍ଯ୍ୟେଷୁ ମାଧବ ।

(ଗଜପତି ଦେବାର୍ଚ୍ଚନ ଗୃହ- ପ୍ରବେଶ କଲେ, ସେବା ଦାସୀମାନେ ମଙ୍ଗଳ ଗାଇଲେ । ଶଙ୍ଖ ଓ ଘଣ୍ଟି ବାଜିଲା)

ସେବାଦାସୀମାନେ-                        (ଗୀତ)

ନଟୀଏ ଗାଇଲେ ଶୁଭେ ମଙ୍ଗଳ ବାଜଣା,

ନାରଦ ରଚିଲେ ଆସି ବୀଣା ଆଳାପନା

ଜୟ ଜୟ ରାମଚନ୍ଦ୍ର,

ରତ୍ନ ସିଂହାସନେ ବିଜେ ଅଯୋଧ୍ୟା ନରେନ୍ଦ୍ର ।।

ପୁରୁଁ ଶୁଭେ ହୁଳହୁଳି ଶଙ୍ଖ ମାଙ୍ଗଳିକ,

ରବିକୁଳ- ରବି ଶିରେ ଦିଏ କେ ତିଳକ

ଜୟ ଜୟ ରାମଚନ୍ଦ୍ର,

ରତ୍ନ ସିଂହାସନେ ବିଜେ ଅଯୋଧ୍ୟା ନରେନ୍ଦ୍ର ।।

ଛା: ଖୁ:- ବଡ଼ପଣ୍ଡା ଆପଣେ ! ଶ୍ରୀମୁଖରୁ ହୁକୁମ ହୋଇଛି, ଆପଣ ଟିକିଏ ରହିବେ, କଅଣ କଥା ଅଛି।

ବଡ଼ପଣ୍ଡା- ହଁ, ମୁଁ ତ ବଳେ ରହନ୍ତି । ମୋର ମଇଧେ ଜଣାଇବାକୁ ଅଛି । (ପୁଣି କାହାଳି ବାଜି ଦେବାର୍ଚ୍ଚନ ଶେଷ ହେଲା । ଗଜପତି ମଣ୍ଡପ ଭିତରୁ ଫେରିଲେ)

ଜ୍ୟୋତିଷ- (ଦିନ ପଞ୍ଜିକା ପାଠ)

ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ବୀରଧୀବୀରବର ଶ୍ରୀ ଶ୍ରୀ ଶ୍ରୀ ମହାରାଜ୍ଞଃ ବିଜୟେ ଶୁଭରାଜ୍ୟେ ଅଦ୍ୟ ଆଷାଢ଼ମାସୀ କୃଷ୍ଣପକ୍ଷେ ଅମାବାସ୍ୟାୟାଂ ତିଥୌ ପଣ୍ଡିତବାସରେ ଆର୍ଦ୍ର । ନାମଧେୟ ନକ୍ଷତ୍ରେ ମିଥୁନ ରାଶୌସ୍ଥିତ ଚନ୍ଦ୍ରମସି ତୈତିଳକରଣେ, ଶୁଭଯୋଗେ ଶ୍ରୀ ଶୁଭମସ୍ତୁ ଶ୍ରୀ ଶୁଭମସ୍ତୁ ଶ୍ରୀ ଶୁଭମସ୍ତୁ ।

(ରାଜଗୁରୁ ଆଶୀର୍ବାଦ କଲେ, ବଡ଼ପଣ୍ଡା ଶ୍ରୀ ଜୀଉଙ୍କର ଚରଣ ତୁଳସୀ ଦେଲେ, ଗରାବଡ଼ୁ ପାଣି ଟେକିଦେଲେ, ଶ୍ରୀଅଙ୍ଗ ସାଆନ୍ତ ପୋଛା ବଢ଼ାଇଲେ)

ମହାରାଜା- ବଡ଼ପଣ୍ଡାଏ ।

ବ: ପଣ୍ଡା- ମଣିମା ! (ପାଖକୁ ଘୁଞ୍ଚି, ମୁହଁରେ ହାତଦେଇ)

ମହାରାଜା- ଗୋଟିଏ ଅଦ୍ଭୁତ ସ୍ୱପ୍ନ ପାହାନ୍ତାରୁ ମୁଁ ଦେଖିଲି । ସ୍ୱୟଂ ଜଗନ୍ନାଥ ବିଜେ ହୋଇ ଆଜ୍ଞା ଦେଲେ କି ଦକ୍ଷିଣରୁ ଦେବଶର୍ମ୍ମା ବୋଲି ଜଣେ ଗରିବ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆସିଛନ୍ତି । ତାଙ୍କର ଗୋଟିଏ କନ୍ୟା- ତାଙ୍କ ନାମ ପଦ୍ମାବତୀ । ଦେବଶର୍ମ୍ମା ସତ୍ୟ କରିଥିଲେ, ସେ କନ୍ୟା ଦିଅଁଙ୍କୁ ସମର୍ପଣ କରିବେ । ଏବେ ଦିଅଁଙ୍କ ମନ ଯେ ତାଙ୍କୁ କହ, କେନ୍ଦୁବିଲ୍ୱ ଗ୍ରାମରେ ଜୟଦେବ ପଣ୍ଡିତଙ୍କୁ କନ୍ୟାଙ୍କୁ ଦେଲେ ପ୍ରଭୁ ନିଜେ ପାଇବା ପରି ମଣିବେ । ସେ ଜୟଦେବ ମଧ୍ୟ କୁଆଡ଼େ ଆମ ଏଠାକୁ ଆସିଛନ୍ତି ।

ବଡ଼ପଣ୍ଡା- ଓହୋ ! କାଳିଆର ଅଦ୍ଭୁତ ଲୀଳା, ମଣିମା ! ଏଇ ପାହାନ୍ତାରୁ ଠିକ୍ ସେହି ସପନ ମୁଁ ଦେଖିଛି । ଏହିକ୍ଷଣି ମହାସୁଆରଙ୍କୁ କହୁଥିଲି, ଛାମୁରେ ଜଣା କରିବାକୁ ।

ମହାରାଜା- ଏଣେ ମତେ, ତେଣେ ତୁମକୁ, ଏକା ସ୍ୱପ୍ନ !

ବ: ପଣ୍ଡା- ମଣିମା !

ମହାରାଜା- (ହସି) ଲୀଳାମୟଙ୍କର ଲୀଳା ! ତେବେ ତୁମେ ଝଅଟ ଯାଇଁ ତଲାସ କର, ସେମାନେ କୋଉଠି ଅଛନ୍ତି ।

ବ: ପଣ୍ଡା- ଦିଅଁଙ୍କ ପହଣ୍ଡି ଆଜି । ଏ ଗହଳିରେ ଠାବ କରିବା କି ସହଜ କଥା ମଣିମା ? ତେବେ ଏ କଥା ସତ ଯେ, ସେମାନେ ଦର୍ଶନକୁ ନିଶ୍ଚୟ ଆସିବେ ।

ମହାରାଜ- ଦେଉଳ ଦୁଆରୀମାନଙ୍କୁ କହିଥାଅ, ପଚାରି ପଚାରି ଯାତ୍ରୀଙ୍କି ବୁଝି ପାରିବେ ଅବା । ହଁ, ଦେବଶର୍ମ୍ମା, ଦକ୍ଷିଣିଆ ବ୍ରାହ୍ମଣ, ଝିଅଟିଏ ପୁଣି ସଙ୍ଗରେ, ବଳେ ଚିହ୍ନା ପଡ଼ିଯିବେ । ବାକି, ଜୟଦେବଙ୍କ କଥା-

ବ: ପଣ୍ଡା- ଶୁଣିଲି କାଲି, ମଣିମା ଚନ୍ନଲାଗି ବେଳେ କିଏ ଦି’ଜଣ ଆସି ବଡ଼ ଦେଉଳରେ ଶ୍ଲୋକ ପଢ଼ୁଥିଲେ । ଭାରି ମିଠା ଗଳା । ବଡ଼ ପଣ୍ଡିତ ବୋଲି ଲୋକେ କହୁଥିଲେ, ସେଇ ହେଇଥିବେ ଅବା ।

ମହାରାଜା- ଆଚ୍ଛା- କେନ୍ଦୁ ବିଳ୍ୱଟା କେଉଁଠି ?

ବ: ପଣ୍ଡା- ବେଶି ବାଟ ନୁହେଁ ମଣିମା ! ବାଲିଅନ୍ତା ଚକଡ଼ାରେ । କେନ୍ଦୁବିଲ୍ୱକୁ ଆମ ଲୋକୈକ କଥାରେ କେନ୍ଦୁବିଲି ବୋଲି କହନ୍ତି । ଥୋକେ କେନ୍ଦୁଲି କହନ୍ତି- ଯେ ସେଇଟା ଗାଉଁଲୀ କଥା ।

ଜ୍ୟୋତିଷ- ହଁ, କେନ୍ଦୁବିଲ୍ୱ ବୋଲି ଏଡ଼େ ନାଆଁଟେ କିଏ କହୁଚି ? ହଉ ହଉ କେନ୍ଦୁଲି ହେଲା । ସେଠଉ ତ କାପେଡ଼ି ମହାଜନ ସବୁ ବିକି ଆଣନ୍ତି କେନ୍ଦୁଲି କସ୍ତା ଯେ, ବାଲିଘାଇ ବାଟେ ଆସନ୍ତି ବୋଲି କହନ୍ତି ।

ବ: ପ:- ହଁ ।

ଜ୍ୟୋତିଷ- ମୁଁ ସେଠା ଦେଖିଛି ମହାରାଜା ! ଗତ ସନ ଅକ୍ଷିତୃତୀୟା ଦିନ ଘରୁ ପିଲାଏ ବାହାରିଲେ ତ୍ରିବେଣୀ ସ୍ନାହାନକୁ ଯେ-

ମହାରାଜ- ଆଃ, ତୁନି ହୁଅ, ତ୍ରିବେଣୀ ସଙ୍ଗେ ସେ ଗାଆଁର କଅଣ ଅଛି ହେ ? ମୁଁ କେନ୍ଦୁ ବିଲ୍ୱ-ଏଇ ଯାହାକୁ ତୁମେ କେନ୍ଦୁଲି ବୋଲି କହୁଚ-

ବ: ପ:- ହଁ, ମଣିମା ! କେନ୍ଦୁଲି ଶାସନ ସୁଜାନଗର ପାଟଣା-

ମହାରାଜା- ପୁଣି ସୁଜାନଗର ଗୋଟାଏ କଅଣ ?

ବ: ପ:- ତାକୋଇ କହନ୍ତି ମଣିମା !

ଜ୍ୟୋତିଷ- ମହାର୍ଜା ! ମୁଁ ତା’ରି କଥା କହୁଚି । ସେଇ କେନ୍ଦୁଲି ଗାଆଁର ଦୁଇପାଖରେ ପ୍ରାଚୀ ଆଉ କୁଶଭଦ୍ରା ନଈ, ଗାଆଁଠୁ ଡାକେବାଟ ହେବ- ସେଇଠି ତ୍ରିବେଣୀ ତୀର୍ଥ । ଅକ୍ଷୟତୃତୀୟାଦିନ ସେଠି ବୁଡ଼ ପଡ଼େ । ଆମେ ତ ମଣିମା ! ଗରିବ ମୁଣ୍ଡ । ଗଙ୍ଗାସ୍ନାହାନକୁ ଯିବୁଁ ଏ ଭାଗ୍ୟ କାଇଁ ?

ମହାରାଜା- ଏଇଟା କ’ଣ ଗଙ୍ଗା ?

ଜ୍ୟୋତିଷ- ପଦ୍ମପୁରାଣରେ କହିଛନ୍ତି, ଅକ୍ଷୟ ତୃତୀୟା ଦିନ ତ୍ରିବେଣୀରେ ଗଙ୍ଗା ଆବିର୍ଭୂତ ହୁଅନ୍ତି । ସେଦିନ ସେଠି ସ୍ନାହାନକଲେ ଗଙ୍ଗାସ୍ନାନ ଫଳ ।

ବ: ପ:- ହଁ, ମଣିମା ! ଗଙ୍ଗାମାଧବ ସମ୍ୱାଦରେ ମଧ୍ୟ ଏକଥା ଲେଖାଅଛି ।

ମ: ରା:- ଜୟଦେବଙ୍କ ଘର ତେବେ ସେଇଠି ? ନାଁ ?

ମହାଶୁଆର- ମୁଁ ଶୁଣିଛି ମଣିମା ! ଆମ ବାଲିସାଇ ମୁଣ୍ଡେ ଦୁଇ ଜଣ କିଏ ଆସି ବଉଳ ମୂଳେ ଟୁଙ୍ଗିରେ ଅଛନ୍ତି । ସବୁବେଳେ ତାଙ୍କର ଲେଖା, ପଢ଼ା, ଶ୍ଲୋକ, ଗୀତ ଚାଲିଛି । ସେ ତ ଆଉ ନୁହନ୍ତି ?

ବ: ପ:- ଶ୍ରୀଗୁଣ୍ଡିଚା ବେଳ, କେତେ ଏବେ କୁଆଡ଼ୁ ଯାତ୍ରୀ ଆସୁଛନ୍ତି, କିଏ ଖବର ରଖିଚି ?

ମହାରାଜ- ତଲାସ କର, ମହାପ୍ରଭୁଙ୍କ ଆଜ୍ଞା, ନିଶ୍ଚେଁ ଠାବ ହୋଇଯିବ ।

ବ: ପ:- ହଉ ମଣିମା ! ନରରକୁ ବିଜେ ହୁଅନ୍ତୁ । ମୁଁ ତଲାସ ନେଇ ଜଣା କରିବି ।

ମହାରାଜା- ସଞ୍ଜ ଆଗରୁ ଆଜି ଯେମିତି ବାତିନି ମଳିବ ।

(ଭିତରକୁ ବାହାରିଲେ)

କାହାଳିଆ- (କାହାଳି ଫୁଙ୍କିଲା)

ଛାମୁଦୁଆରୀ- (ଯୋଡ଼ିବେତ ବଜାଇ ଆଗେ ଆଗେ ଚାଲିଲା ଛାମୁଛାଡ଼, ଛାମୁଛାଡ଼, ଛାମୁଛାଡ଼ କହି ।)

 

ଚତୁର୍ଥ ଦୃଶ୍ୟ

[ପୁରୀର ଗଳି ରାସ୍ତା- ଜୟଦେବଙ୍କ କୁଟୀର ସମ୍ମୁଖ । ଦେବଶର୍ମା ଓ ପଦ୍ମାବତୀ । ପଦ୍ମାବତୀଙ୍କ ହାତରେ ଜଗନ୍ନାଥଙ୍କ ଆଜ୍ଞାମାଳ ।]

ପଦ୍ମା- ନନା ! କୋଉଠିକି ଯିବା ? ଆଉ କେତେ ବାଟ ?

ଦେବ- କେମିତି କହିବି ମାଆ ! ପୁରୀ ସହର ଏ, ଦିଅଁ କହିଲେ, ଜୟଦେବ ପୁରସ୍ତମରେ ଅଛନ୍ତି, ଖୋଜୁଛି ତ ଦେଖାଯାଉ !

ବଡ଼ପଣ୍ଡା- (ପଛରୁ ଆସି) ହଇୟେ ଅବଧାନ ! ଆପଣଙ୍କ ନିବାସ କୋଉଠି କି ?

ଦେବ- ବହୁତ ଦୂର, ଦକ୍ଷିଣ ।

ବ: ପ:- ଆପଣଙ୍କର ଏଇଟି କ’ଣ ଝିଅ ?

ଦେବ- ହଁ, କାହିଁକି ପଚାରିବା ହେଲେ ?

ବ: ପ:- ହଁ ପଚାରିଲି !

ଦେବ- କିଛି କାର୍ଯ୍ୟ ଥିଲା ?

ବ: ପ:- ଆପଣଙ୍କ ନାଆଁ କ’ଣ ଦେବଶର୍ମ୍ମା ?

ଦେବ- ସବୁ ଜାଣିଲା ପରି କଥା କହିଲ ଗୋସେଇଁ !

ବଡ଼- ଏ ଝିଅଟି ନାଆଁ ପଦ୍ମାବତୀ ତ ?

ଦେବ- ମହାପୁରୁ କି, ଆପଣ, ମୁଁ ତ ଚିହ୍ନିପାରୁ ନାଇଁ । ପୁରସ୍ତମ ୟେ, ଏଠି ସମସ୍ତେ ଦେବତା ! (ପାଦଛୁଇଁବାକୁ ଉଦ୍ୟତ)

ବଡ଼- ଆହା-ହା, ୟେ କଅଣ କରୁଛନ୍ତି ? ପରମଭକ୍ତ ଆପଣ, ମୋତେ ପାପରେ ବୁଡ଼ାନ୍ତୁ ନାହିଁ ଅବଧାନ !

ଦେବ- ଆପଣ କିଏ କହିଲେ ତ ନାଇଁ ?

ବଡ଼- ମୁଁ, ମହାପ୍ରଭୁଙ୍କର ଜଣେ ସେବକ । ଦେଉଳର ବଡ଼ପଣ୍ଡା । ଆପଣ ଜୟଦେବଙ୍କୁ ଖୋଜୁଛନ୍ତି ତ?

ଦେବ- ଆପଣ ସେ କଥା କେମିତି-

ବଡ଼- ମୁଁ ଜାଣିଛି ।

ଦେବ- ଜୟଦେବ କୋଉଠି ଥାଉଚନ୍ତି, ଜଣାକି ?

(ପରାଶର କବାଟ ଫିଟାଇ ଚାହିଁଲେ)

ବଡ଼- ଜୟଦେବ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଶୁଣିଲି, ବାକୀ-

ଦେବ- କେହି ତ ହେଲେ କହି ପାରୁ ନାହାନ୍ତି, ଜୟଦେବ କୋଉଠି ଥାଉଚନ୍ତି ।

ପରାଶର- ଆପଣମାନେ କାହାକୁ ଖୋଜୁଛନ୍ତି ?

ବଡ଼- ଆପଣଙ୍କ ନିବାସ ?

ପରା- କେନ୍ଦୁଲି ।

ବଡ଼- ତାହାହେଲେ ତ ଆପଣ ବୋଧହୁଏ ଜୟଦେବଙ୍କୁ-

ପରା- ହଁ, ତାଙ୍କୁ ଜାଣେ । ଏଇ ତାଙ୍କର ବସାଘର ।

ଦେବ- (ହାତଯୋଡ଼ି) ଧନ୍ୟ ଧନ୍ୟ ଜଗନ୍ନାଥ ! ପଦ୍ମା ! ଆ, ମାଆ; ଆ, ତୋର ସ୍ୱାମୀ ଏଇଠି ଅଛନ୍ତି ।

ପରା- ସ୍ୱାମୀ ! କିଏ ?

ବଡ଼- ଆପଣ ଜାଣନ୍ତି ନାହିଁ, ଏଇ କନ୍ୟା ଜୟଦେବଙ୍କ ପତ୍ନୀ ।

ପରା- ଜୟଦେବ ତ ଆଜନ୍ମ ବ୍ରହ୍ମଚାରୀ, ସନ୍ନ୍ୟାସୀ, ତାଙ୍କର ପତ୍ନୀ ! ଅସମ୍ଭବ କଥା ।

ବଡ଼- ହଁ ଆଜ୍ଞା, ଜଗନ୍ନାଥଙ୍କର ଆଜ୍ଞା- ଏଇ କନ୍ୟା ଜୟଦେବଙ୍କୁ ବିବାହ କରିବ ।

ପରା- ଆପଣମାନେ କଅଣ ପାଗଳ ହେଲେ ? ଜଗନ୍ନାଥଙ୍କର ଆଜ୍ଞା ! କଅଣ ଗୁଡ଼ାଏ କହୁଛନ୍ତି ଏ ସବୁ ? କହିଲି ପରା ଜୟଦେବ ବ୍ରହ୍ମଚାରୀ ।

ଦେବ- କିନ୍ତୁ; ଜଗନ୍ନାଥଙ୍କ ଆଦେଶ । ମୁଁ କନ୍ୟାର ପିତା ।

ପରା- ଏ କନ୍ୟା- ସାକ୍ଷାତ ଲକ୍ଷ୍ମୀ ! ଜୟଦେବ ଦରିଦ୍ର, କି ଅସମ୍ଭବ !

ବଡ଼- ଅସମ୍ଭବ ମଧ୍ୟ ସମ୍ଭବ ହୁଏ ମହାଶୟ ! ଦିଅଁଙ୍କ ଇଚ୍ଛାରେ ।

ପରା- କିନ୍ତୁ ଏ ବିବାହ-

ବଡ଼- ଆପଣ ବୋଧେ ଜାତିକଥା ଭାବୁଚନ୍ତି ? ଏ ମହାଶୟଙ୍କ ନାମ ଦେବଶର୍ମା, ଦାକ୍ଷିଣାତ୍ୟ ବ୍ରାହ୍ମଣ । ଆମ ଓଡ଼ିଶା ବ୍ରାହ୍ମଣଙ୍କର ବନ୍ଧୁ ବାନ୍ଧିବା ତ ନୂଆ ନୁହେ ଦକ୍ଷିଣରେ ? ଆଉ ଆଉ ଦେଶ କି ବଙ୍ଗଳା ସାଙ୍ଗରେ ସିନା ଆମର ବନ୍ଧୁ ବାନ୍ଧିବା ଅଚଳ ।

ପରା- ଆଚ୍ଛା, ଆପଣମାନେ ଆଗେ ଭିତରକୁ ଆସନ୍ତୁ ! ଏଠି ବାହାରଟାରେ ଠିଆ ହୋଇ ରହିଲେ ଯେ ! ଆସି ବସନ୍ତୁ, ଜୟଦେବ ସମୁଦ୍ରସ୍ନାନକୁ ଯାଇଚନ୍ତି, ଏଇଲେ ଫେରିବେ ।

ବଡ଼- ଚାଲନ୍ତୁ ମହାଶୟ !

ଦେବ- ଚାଲ ମାଆ ପଦ୍ମା ।                  (ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ

(ପୁରୀ ବଡ଼ଦାଣ୍ଡରେ ଜଣେ ଭିକାରୀ ଗାଇ ଗାଇ ଖଞ୍ଜଣୀ ବଜାଇ ବଜାଇ ଚାଲିଛି)

(ଗୀତ)

ଚକା ନୟନକୁ ଚାହିଁ ଗରିବ ଜଣେ,

ଥକା ହୋଇ ଡକା ପାରି ଗୁହାରି ଭଣେ ।।୦।।

ଦୀନବନ୍ଧୁ ନାମ ହରି ! ବହିଛ ମିଛେ,

ମୋ ପରି ଗରିବ ପରା ଧାଇଁଛି ପଛେ,

ଆଡ଼ ନୟନେ ଥରେ-      ଚାହିଁଲେ ଦୁଃଖ ସରେ,

ଦୀନବନ୍ଧୁ ନାମରେ-            କଳଙ୍କ ନ ଚାହିଁଲେ

ଜଗବନ୍ଧୁ ହେ ! ଜଗବନ୍ଧୁ ହେ !

ହସିବେ ସିନା ଜଗତେ ବଇରୀ ପଣେ ।୧।

ପତିତପାବନ ବୋଲି ବୋଲାଅ ଯେବେ,

ମୋପରି ପତିତ କାହିଁ ଦେଖିଛ କେବେ ?

ମୋତେ ଯେବେ ହେ ହରି !-            ଦେବଟି ପାରିକରି,

ଚରଣ ତଳେ ଦେବ !-      ଏ ପାପୀ ଠାବହେବ,

ଜଗବନ୍ଧୁ ହେ ! ଜଗବନ୍ଧୁ ହେ !

ଗଣିବି ତେବେ ମୁଁ ସିନା ଖାମିଦ ପଣେ ।୨।

 

ଷଷ୍ଠ ଦୃଶ୍ୟ

(ଜୟଦେବଙ୍କ ବସାଘର ଆଗରେ ପଦ୍ମାବତୀ, ଦେବଶର୍ମା ଓ ବଡ଼ପଣ୍ଡା)

ଦେବ- ମାଆ ପଦ୍ମା ! ଜଗନ୍ନାଥ ତୋତେ ଦେଇଥିଲେ, ତୋହର ଭଲ ମନ୍ଦ ବରାଦ ସେଇ କରିବେ । ତୁ ତ ମୋର ନୁହ- ତାଙ୍କରି ଆଦେଶରେ ମୁଁ ତୋତେ ଏଠିକି ନେଇ ଆସିଲି, ତୋର ସ୍ୱାମୀ ତୋତେ ଗ୍ରହଣ କରିବାକୁ କୁଣ୍ଠିତ । ତାର ବ୍ୟବସ୍ଥା ସେଇ ଜଗନ୍ନାଥ କରିବେ । ମୋର ଆଉ ବଳ କଅଣ ? ସ୍ୱାମୀ ଦ୍ୱାର ଛଡ଼ା ସତୀର ଅନ୍ୟ ଗତି ନାହିଁ; ଜଗନ୍ନାଥଙ୍କ ଚରଣରେ ନିର୍ଭର କରି ତୋତେ ଏଇଠି ଛାଡ଼ିଦେଇ ଯାଉଛି, ଏଣିକି ତୁ ଜାଣୁ, ତୋର ସ୍ୱାମୀ ଜାଣନ୍ତି- କି ଜଗନ୍ନାଥ ଜାଣନ୍ତି ।

ବଡ଼- ଆଉ ଆମର ବଳ କଅଣ ? ଜୟଦେବ ତ ଏକାବେଳେ ନାରାଜ ହୋଇ, ଆମ୍ଭମାନଙ୍କୁ ନ ତକାଇ-

ଦେବ- ଜଗନ୍ନାଥଙ୍କ ଇଚ୍ଛା- ଥା, ମାଆ, ଗଲି (ମୁଣ୍ଡ ଆଉଁଷି) ତୁ ଜଗନ୍ନାଥଙ୍କ ଚରଣର ନିବେଦିତା ଫୁଲ- ତୁ ବୁଝ୍‌, ସେ ବୁଝନ୍ତି । ଥାଆ, ମାଆ, ମୋର ଆଉ କଅଣ ବଳ ? (ଏକମୁହାଁ ହୋଇ ଲୁହ ପୋଛି ଚାଲିଗଲେ ବଡ଼ପଣ୍ଡାଙ୍କ ସହିତ) ଆସନ୍ତୁ ଆସନ୍ତୁ ।

(ଦେବଶର୍ମା ଆଉ ଫେରି ଚାହିଁ ନାହାନ୍ତି ପଦ୍ମାବତୀଙ୍କ ଅବସ୍ଥା, ପଦ୍ମାବତୀ ସଜଳ ଆଖିରେ ତାଙ୍କ ଯିବା ବାଟକୁ ଚାହିଁ ରହିଲେ, ଘନ ଘନ ନିଃଶ୍ୱାସ ମାରି ।)

ପରାଶର- (ଭିତରୁ ଆସିଲେ ଅଳ୍ପବେଳ ପରେ, ପଦ୍ମାବତୀଙ୍କୁ ଦେଖି ଚମକିତ ହୋଇ ପଚାରିଲେ) ତୁମେ, ଏକା ! ସେମାନେ- ?

ପଦ୍ମା- ଚାଲିଗଲେ ।

ପରା- ଚାଲିଗଲେ ?

ପଦ୍ମା- ପତି ଚରଣ ବିନା ସ୍ତ୍ରୀର ଆଉ ଗତି କଅଣ ? ସେଇ ତାର ଘର, ସେହି ତାର ଦ୍ୱାର, ସେଇ ତାର କୋଟି ତୀର୍ଥ । ମୁଁ ଆଉ କୁଆଡ଼େ ଯିବି ?

ପରା- କିନ୍ତୁ ଦେବି ! (କଅଣ ଭାବିଲେ)

ଜୟ- (ଫୁଲଡାଲାସହ ଆସିଲେ) ଯାଇନାହଁ ତୁମେ- କି ଅସମ୍ଭବ ! ସେମାନେ କାହାନ୍ତି ପରାଶର ! ୟେ ଏକା ଅଛନ୍ତି ଯେ-

ପରା- ସେମାନେ ଦେବୀଙ୍କୁ ଏକା ଛାଡ଼ିଦେଇ ଚାଲିଗଲେ ।

ଜୟ- ଏ କେମିତି କଥା ?

ପଦ୍ମା- ଦେବ ! ସ୍ୱାମୀ ପଦସେବା ସ୍ତ୍ରୀର ଏକମାତ୍ର ଧର୍ମ- ମୋର ଆଶ୍ରୟ ଆଉ କୋଉଠି ? ଜଗନ୍ନାଥଙ୍କ ଆଦେଶ- ଆପଣ ମୋର ସ୍ୱାମୀ- ଦେବତା !

ପରା- ଜୟଦେବ ! ଦେବତାର ଆଦେଶ, ଦେବତାର ଇଚ୍ଛା-

ଜୟ- ୟେ ! ଅସମ୍ଭବ, ୟେ ଅସମ୍ଭବ- ନା- ନା ଜଗନ୍ନାଥ ! ଏ ଅସମ୍ଭବ । (ଆଖିମୁଦି କାନ୍ଦିବାକୁ ଲାଗିଲେ)

ପରାଶର- [ଇତ୍ୟବସରେ ପଦ୍ମାବତୀଙ୍କୁ ଇଙ୍ଗିତ ଦେଲେ ଜୟଦେବଙ୍କ ଗଳାରେ ଫୁଲମାଳ ଦେବାକୁ] ଏହି ମାତ୍ର ଅବସର ଦେବି !

ପଦ୍ମା- [ମାଳଟି ଜୟଦେବଙ୍କ ଗଳାରେ ଦେଲେ ଓ ପାଦତଳେ ପ୍ରଣାମ କଲେ ଶୀଘ୍ର]

ଜୟ- (ଚାହିଁ ଘୁଞ୍ଚିଯାଇ ମାଳା କାଢ଼ୁ କାଢ଼ୁ) ଆଃ ! ୟେ କଅଣ ? ୟେ କଅଣ କଲ ? ଜଗନ୍ନାଥ ! ଜଗନ୍ନାଥ !!! (ଥରି ଥରି ପଡ଼ିଯିବାବେଳେ ପରାଶର ପଛରୁ ଧରିନେଲେ । ହାତ ଛାଡ଼ିଯାଇ ହାରଟି ବେକରେ ରହିଲା)

ପରା- ଜୟଦେବ !

ପଦ୍ମା- (ପଦ ଛାଡ଼ି ଉଠି ଠିଆହେଲେ ଓ ଚାହିଁ ରହିଲେ ସଜଳ ଆଖିରେ)

 

 

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(କେନ୍ଦୁଲି ଗାଆଁ- ପରାଶରଙ୍କ ଘର)

ରୋହିଣୀ- (ବାହାର ଅଗଣା ଖରକି ସାରୁଥିଲେ, ବିମଳା ଠିଆ ହେଲାଣି ଯେ ନଜର ନାହିଁ ତାଙ୍କର)

ବିମଳା- (ରୋହିଣୀ ଘର ଭିତରକୁ ପଶିଯିବା ବେଳକୁ) କିଲୋ ଭାଉଜ ! ଦୁଆର ଘର ତ କଅଣ ଆଜି ଭାରି ନିଚିପଳ କରି ପକଉଚୁ ? ଭାଇନା ଆସିଛନ୍ତି ବୋଲି କିଲୋ ? ପହଡ଼େ ହେଲା ଆସି ଠିଆ ହେଇଚି ଯେ, ପଦେ କହୁନୁ ଆସ ବୋଲି କି ବସ ବୋଲି ।

ରୋହିଣୀ- ମୋର ନହସ ନାଇଲୋ ବିମଳି ! ତୁ ଏବେ ଆସି ଠିଆ ହେଲୁଣି କେତେବେଳୁ ? ରାଣ ଅଛି ଲୋ ! ଜମା ଆଖି ପଡ଼ି ନ ଥିଲା ।

ବିମଳା- କାହିଁକି ଆଖି ପଡ଼ିବ ଲୋ ? ଆଖିକି ତର କାଇଁ ମୋ ଉପରେ ପଡ଼ିବାକୁ ? ଭାଇନା ପରା-

ରୋହିଣୀ- ଛୋପରିଟାଏ ହେଲୁଣି ତୁ ! ଦାଣ୍ଡଟା ଟି ! କେତେ ଟାପରା କରୁଚୁ ମ, କିଏ ଯେବେ ଶୁଣିବ?

ବିମଳା- ମଲା । ମୁଁ ତ ଶୁଣେଇକରି କହୁଛି । ଆସ ହେ ଗାଆଁ ଲୋକେ ! ଶୁଣ, ପରାଶର ଭାଇନା କାଲି ରାତିରେ ପୁରସ୍ତମରୁ ଆସିଛନ୍ତି ଯେ- ଭାଉଜକୁ ମୋର-

ରୋହିଣୀ- (ଆସି ମୁହଁ ମୁଦିକରି) ଚୁପ୍‌ ! ଦେବିଟି ଏଇନେ-

ବିମଳା- ଦେ ନାଁ ମ, ସରିଯିବ; ଭାଇନାଙ୍କ ପାଇଁ ଟିକିଏ ରଖିଥା-

ରୋହିଣୀ- ବିମଳି ! ଭାରି ଦୁଷ୍ଟ ତୁ ହେଲୁଣି ଏବେ (ଗାଲ ଟିପିଧରି)

ବିମଳା- ହଁ ମଁ, ଭାଇନା ପୁରସ୍ତମରୁ ଅଇଲେ ଯେ କେତେ କଅଣ ଭଲ ଭଲ ରକମ ଆଣିଥିବେ, ସବୁତକ ତହିଁକି ପେଟରେ ପକେଇଲୁ ? ଏଇଥିରେ ମୁଁ ହେଲି ଦୁଷ୍ଟ, ମହାରଦ କାଇଁଲୋ ?

ରୋହିଣୀ- ଘରକୁ ଅଇଲେ ସିନା-ଆ ।

ବିମଳା- ଆଲୋ, ସରଯୁ ନାନୀ ଆସିବ ବୋଲି କହୁଥିଲା, କେତେ ଘଷିମାଜି ହଉଥାଏ ମ ସେ, ଆସି ନାଇଁ ତ ଏତେବେଳଯାଏ ।

ରୋହିଣୀ- (ଚାହିଁ ନେପଥ୍ୟକୁ) ହେଇଟି ଲୋ ମା, ତୁଣ୍ଡରୁ କଥା ସରିନାଇଁ ଆସିଲାଣି ଇଏ ।

ବିମଳା- ଏତେ ମଠ କଅଣ କଲୁ ମ ?

ସରଯୁ- ବାଟରେ ହାଟ ବସିଚି ଟି ।

ବିମଳା- କି ହାଟ ଲୋ ?

ସରଯୁ- ଏଇ ଆମ ଜୟୀ ଭାଇନା କଥା, ସତେ ସେ ଘର କରିବ, ବୋହୂ ଆଣିବ, କାହା ମନରେ ଏକଥା ଥିଲା ?

ରୋହିଣୀ- ବୋହୂଟି ଆଣିଲାଣି ଏ କଥାଟି ସତ, ଘର କାଇଁ ? ସେଇ କଥାଟି ମିଛ ।

ବିମଳା- ଆଲୋ ! ନ ଥିଲେ ଫେର୍‌ କରିବେ ନାଁ, ଆଉ କଅଣ, ବୋହୂକୁ ନେଇ ସବୁଦିନେ ତମରି ଘରେ ଥିବେ ?

ସରଯୁ- ଆଲୋ, ବୋହୂଟି କେମିତି ? ସୁନ୍ଦର ନାଁ ?

ରୋହିଣୀ- ନାହିଁ ନ ଥିଲାର ବୋହୂ । ଜଗନ୍ନାଥ ପରା ସପନେଇ କରି ଦେଇଛନ୍ତି । ସୁନା ଫୁଲଟିଏ ସତେ !

ସରଯୁ- ହେଲେ ୟେ ଗାଆଁ କଥା ଆଉ କହନାଁ, କିଏ କହୁଚି ଅଜାତି, କିଏ କହୁଚି ଜୟୀ ଭାଇନା ଏତେଦିନକେ ଗୋଟାଏ କାହାକୁ ଘିନି ପଳାଇ ଆସିଛି । କଅଣ ଶୁଣିବ ?

ବିମଳା- ବୋହୂଟି ତମ ଘରେ ପରା ! ଦେଖନ୍ତେ ନାଇଁ ଟିକିଏ ?

ରୋହିଣୀ- ଚାଲନୁ । ମୁଁ ତାକୁ ଟିପେ ଦାଣ୍ଡକୁ ମୁଣ୍ଡକୁ ଛାଡ଼ି ଦଉନାଇଁ । ଏ ଗାଆଁ କଥା ତ ଜାଣୁ । ତରପରା ବୋହୂ ପିଲାଟାକୁ-

ସରଯୁ- ଚାଲ, ଚାଲ, ଜାତି ହଉ କି ଅଜାତି ହଉ । ଜୟୀ ଭାଇନା ଆଗେ ଘର କଲା ବୋଲି ।

ବିମଳା- (ହସି) ମୋର ତ ଭାଉଜ ହବ ଲୋ ସିଏ !

ସରଯୁ- କେବକୁ ଆଉ ଏଇଟାର ବୁଦ୍ଧିହବ ମ ! ଜୟୀ ଭାଇନା ପରା ତୋ ଭାଇନା ହବ ଲୋ !

ବିମଳା- ହଁ ମ, ସେଇ କଥା- ଆଲୋ ଭାଉଜ ! ସେ ପରା ଦକ୍ଷିଣିଆଣୀ ଲୋ ! ସେଇମିତି ଲୁଗାପଟା ଗହଣାଗାଣ୍ଠି ପିନ୍ଧିଥିବ ତ ?

ରୋହିଣୀ- ମଲା, ତାଙ୍କ ଦେଶର ବେଶ ଯାହା । କହିଚି ପରା,- ଦେଶକେ ଫାଙ୍କ ନଈକେ ବାଙ୍କ ।

ସରଯୁ- ଦକ୍ଷିଣିଆଁ ବାହ୍ମୁଣଟି ସିଏ । ମଲା ଯା, ମୋରି ପିଇସୀ ଏବେ ତା ଶାଶୁଘରକୁ ଯାଇ, ଫେରି, ଆମ ଘରକୁ ଆସିଲା ବେଳେ ତାଙ୍କ ସେଠା ଦକ୍ଷିଣୀ ଶାଢ଼ୀ, ଦକ୍ଷିଣୀ ଗହଣା ପିନ୍ଧିକରି ଆସିଥିଲା । ତାକୁ ତେବେ ତ ଅଜାତି ବୋଲି କହିବା । ଏଇଥିକି ଏବେ କହୁଛନ୍ତି ଜୟୀ ଭାଇନା । ଅଜାତି ହୋଇଗଲା ! ଆମ ଏ ଗାଆଁ ଖଣ୍ଡି ସିନା ସାନଲୋକଙ୍କ ତୁଣ୍ଡ ବଡ଼ ।

ରୋହିଣୀ- କିଏ ମଁ, କିଏ ସେ ସେଇଟା କହୁଛି ଯେ ! ଏଡ଼େ ଜାତିଆ ଟେ ?

ସରଯୁ- ଏଇ ମ, ରାମ ମହାପାତ୍ର ପୁଅ ଶାମିଆ-

ବିମଳା- ହଁ, ସେ କାହିଁକି ନ କହିବ ? ବେଶି ଜାତିଆଟାଏ ନାଁ ?

ରୋହିଣୀ- ବୋହୂର ବାପ, ମାଆ, ସମସ୍ତେ ଅଛନ୍ତି ପରା ! ବାହାଘର ବିଧି ସବୁ ଏଇଠି ହବନାଁ ?

ସରଯୁ- ସତେ ଏବେ ! ସେ ସଭିଏଁ ଫେର୍‌ କୋଉଠି ଅଛନ୍ତି ?

ରୋହିଣୀ- ଝିଅର ମାଆ ତ ଏଇଠି ଆମ ଘରେ । ଖଣ୍ଡିଏ, ଚାଳିଆ ବାନ୍ଧିଲେ ତ, ଫେର ।

ବିମଳା- ହଁ, ରହନ୍ତୁ କେଇ ଦିନ ଏବେ ଏଇଠି ।

ରୋହିଣୀ- ଆଉ ତୋ ଭାଇନାଙ୍କୁ ସାଙ୍ଗରେ ନେଇ ଜୟୀ ଯାଇଛନ୍ତି ପିପିଲି- କୋଉ ସକାଳୁ ଗଲେଣି ଯେ-

ସରଯୁ- ପିପିଲି ବଜାର ବାଟ କେତେ ଯେ ! ସାଇଁକିନି ଆସିଯିବେ । ତୁ ରନ୍ଧାବଢ଼ା ସାରିଚୁଟି ?

ରୋହିଣୀ- କୋଉଠି ଆଉ ? କିଛି ସରିବାକୁ ନାଇଁ । ବୋହୂଟି ପୁଣି ଏଡ଼େ ଭଲ ଯେ, ମୋଠୁଁ ଚଟୁ ଖଡ଼ିକା ଛଡ଼େଇ ନେଇ, ଖନ୍ଦାଶାଳରେ ।

ବିମଳା- ସତେ କି ମ ? ଏଡ଼େ ଗୁଣ ?

ସରଯୁ- ଚାଲ୍‌, ଚାଲ୍‌, ତାକୁ ଆଉ ଖଟାନା । ତୁ ନିଜେ ରନ୍ଧାବଢ଼ା କର । ଯେତେହେଲେ ଆମ କୁଣୁଆଁଟି ସେ ।

ବିମଳା- ମଲା, ଖାଟୁ । ନୂଆ ଭାଉଜ ହାତରୁ ଶାଗ ଖରଡ଼ା ଟିକିଏ ହେଲେ ପାଟିରେ ବାଜିବ ତ । ଏ ଟାଉକୀ ତ ସବୁତକ ପୁରସ୍ତମ ରକମ ତୁଣ୍ଡରେ ପକାଇ ଦେଇଛି, ମୁଁ ଆସିଲା ବେଳକୁ ପରା ପାଟି ଗୋଦରା ଶୁଭୁଥିଲା ଲୋ ସର ନାନି !

ସର- ହଁ, ତତେ ତ ଶୁଭୁଥିବ, ଚାଲ ମ ବୋହୂ ।

ବିମଳା- ସତ ଲୋ, ରାଣ ଅଛି । (ହସିଲା)

ରୋହିଣୀ- ମଲୁନାଇଁ ଲୋ ଛୋପରୀ ! ୟେ ଟୋକୀ ଖଣ୍ଡକ ତ ଖାଲି ଅମରମତା ହଉଚି ! (ଗାଲତୋଡ଼ି ଦେଲା) ।

 

ଦ୍ୱିତୀୟ ଦୃଶ୍ୟ

(କେନ୍ଦୁଲି ଗ୍ରାମ)

(ଜୟଦେବଙ୍କ କୁଟୀର ସମ୍ମୁଖର ଆମ୍ୱତୋଟା- ଆଗରେ ଖଣ୍ଡିଏ ବ୍ୟାସାସନ । ଜୟଦେବ ବସିଥିଲେ, ପାଖରେ ଲେଖନ- ଜୟଦେବ ପରାଶରଙ୍କୁ ପୋଥି ବଢ଼ାଇ ଦେଲେ ।)

ଜୟଦେବ- ପରାଶର !

ପରାଶର- (ପୋଥି ଧରି ପଢ଼ିଲେ)

ମେଘୈ ର୍ମେଦୁର ମମ୍ବରଂ ବନଭୁବଃ ଶ୍ୟାମସ୍ତମାଳଦ୍ରୁମୈ-

ର୍ନକ୍ତଂ ଭୀରୁରୟଂ ତ୍ୱମେବ ତଦିମଂ ରାଧେ ଗୃହଂ ପ୍ରାପୟ ।

ଇତ୍‌ଥଂ ନନ୍ଦନିଦେଶତଶ୍ଚଳିତୟୋଃ ପ୍ରତ୍ୟଧ୍ୱ କୁଞ୍ଜଦ୍ରୁମଂ

ରାଧାମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃ କେଳୟଃ ।

(ପାଠକରି) ସୁନ୍ଦର ! ଜଗବନ୍ଧୁଙ୍କର ଅନୁଗ୍ରହ ଜୟଦେବ ! ଲେଖନୀରୁ ଯେମିତି ଅମୃତ ଝରିଛି, ଜଗନ୍ନାଥଙ୍କ ଇଚ୍ଛାରୁ ତମ ମନୋବାଞ୍ଛା ସଫଳ ହେଉ ।

ଜୟଦେବ- ଏଇତ ମାତ୍ର ଆରମ୍ଭ । ସତେ ଏ ପୋଥି ଶେଷହେବ !- ପୁଣି ଥରେ ପୁରୀ ଯାଇ ଶ୍ରୀମାନ୍‌ ନୀଳାଦ୍ରୀଚନ୍ଦ୍ରଙ୍କର ଚରଣରେ ନିବେଦନ କରିବି । ଏ ସୌଭାଗ୍ୟ-

ପରାଶର- ସନ୍ଦେହ କରନାହିଁ କବି ! ପ୍ରଭୁ ତମର ଇଚ୍ଛା ପୂରଣ କରିବେ । କି ସୁନ୍ଦର ରଚନା-

(ମେଘୈ ର୍ମେଦୁର ମମ୍ୱରଂ ଇତ୍ୟାଦି ପୁଣି ପଢ଼ୁଥିଲେ)

ଜୟ- ପରାଶର ! ଛନ୍ଦଟି ଶାର୍ଦ୍ଦୁଳ ବ୍ରିକ୍ରୀଡ଼ିତ । ଯତି ରଖି ଥରେ ପଢ଼, ତୁମର ଅପୂର୍ବ କଣ୍ଠର ସ୍ୱର ସଂଯୋଗରେ ଜୟଦେବର ରଚନା ସଂଜୀବିତ ହେଉ ।

ପରା- କବିର ଆଦେଶ ଶିରୋଧାର୍ଯ୍ୟ । (ହସି ହସି କହିଲେ)

ଜୟ- ଆଦେଶ ନୁହେଁ ବନ୍ଧୁ ! ଗାୟକପ୍ରବର, ଏ ମୋର ସନିର୍ବନ୍ଧ ଅନୁରୋଧ ସିନା !

ପରା- ନାଁ, ନାଁ, ପରମ ସୌଭାଗ୍ୟ ମୋର, କବି ! ତମର ଏ ଅମୃତ ରଚନା ପ୍ରଥମେ ମୋରି କଣ୍ଠରେ ରୂପ ପାଇବ । ଜୟଦେବଙ୍କ କବିତ୍ୱ ମୂଳରୁ, ଶ୍ରୀଗୀତଗୋବିନ୍ଦ ରଚନା ପ୍ରାରମ୍ଭରୁ, ପରାଶର ପ୍ରଥମ ସୁଯୋଗ ପାଇଛି ତାର ସଦ୍‌ବ୍ୟବହାର କରିବାକୁ; କିନ୍ତୁ କବି ! ଭ୍ରମପ୍ରମାଦ ତୁମେ ମାର୍ଜନା କରିବ ।

(ସ୍ୱର ସଂଯୋଗରେ ଗାଇଲେ, ଜୟଦେବ ଆଖି ମୁଦି ଶ୍ଳୋକ ଶୁଣିବାକୁ ଲାଗିଲେ । ମଧ୍ୟେ ମଧ୍ୟେ ଦେହ ତାଙ୍କର ଶିହରୀ ଉଠିଲା, ସହସା ବସନ୍ତର ଆବିର୍ଭାବ ହେଲାପରି ଲାଗିଲା, ଅଦୂରବର୍ତ୍ତୀ ଆମ୍ୱତୋଟାର ଗଣ୍ଡିମୂଳେ ଦେଖାଦେଲେ ଶ୍ରୀକୃଷ୍ଣ)

ପରା-      ବାଗ୍‌ଦେବତା ଚରିତ ଚିତ୍ରିତ ଚିତ୍ତ ସଦ୍ମା ।

ପଦ୍ମାବତୀ ଚରଣଚାରଣ ଚକ୍ରବର୍ତ୍ତୀ

ଶ୍ରୀ ବାସୁଦେବ ରତିକେଳିକଥା’ ସମେତ-

ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧଃ ।

ଜୟ- (ବିହ୍ୱଳଭାବେ) ପରାଶର ! ପରାଶର ! (ଉଠି) କିଛି ଅନୁଭବ କରୁଛ ? (ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ ହେଲେ) କିଛି ଅନୁଭବ କଲ ?

ପରାଶର- ହଁ କବି ! ବସନ୍ତର ଗୋଟିଏ ଚିକ୍‌କଣ ପରଶ ପରି, ଏଇ ତୁମର ଲେଖନୀମୁଖରୁ ଅମୃତ ବର୍ଷଣ । ଏକା ମୁଁ ନୁହେଁ । ଦେଖ, ଦେଖ, ତରୁଲତା ମଧ୍ୟ ସେ ସୁଖରୁ ବଞ୍ଚିତ ନୁହନ୍ତି ।

ଜୟ- ନା, ନା, ପରାଶର ! ଏ କେବଳ ତୁମର କଣ୍ଠସ୍ୱର ।

ପରାଶର- ଅସମ୍ଭବ, ଅସମ୍ଭବ କବି ! ଏଇ ବଣର ତରୁଲତା ତ ମୋ କଣ୍ଠର ଆବାଲ୍ୟ ପରିଚିତ । କଣ୍ଠର ମହତ୍ୱ ନୁହେଁ କବି ! ଭୁଲ ବୁଝୁଛ, ତୁମର ଭ୍ରମ ।

ଜୟ- କିନ୍ତୁ, କିନ୍ତୁ, ପଦ୍ମଗନ୍ଧ ! ନୂପୁର ! ଶୁଭିନାହିଁ ତୁମକୁ ? ଯେମିତି ଏଇ ବନ ଭିତରୁ ଆସି, ସେଇ, ସେଇଠାରେ ତୁମର କଣ୍ଠସ୍ୱର ସହିତ ମିଶିଗଲା, -ଲୀନ ହୋଇଗଲା, ଶୁଣିନାହଁ ତୁମେ ?

ପରା- ନୂପୁର ! ଅସମ୍ଭବ ! ନୂପୁର ଶବ୍ଦ ?

ଜୟ- ହଁ, ହଁ, ପରାଶର ! ନୂପୁର ଶବ୍ଦ । ମୋତେ ଅବିଶ୍ୱାସ କରୁଚ ତୁମେ ? ଶୁଣିଚି ମୁଁ ଏଇ କାନରେ । ଠିକ୍‌ ଶୁଣିଚି ।

ପରାଶର- କବି ! ଏ ତୁମର ହୁଏତ ଭ୍ରମ । ଉନ୍ମାଦନା ।

ଜୟ- ନା, ନା, ପରାଶର ! ଆସ, ଦେଖ, ଏଇ ନିକଟରେ । ରଖ, ଗୀତ ଗୋବିନ୍ଦ ରଖ । ଆସ ଦେଖ । ଏତେ ଶୀଘ୍ର ଲୁଚିଯାଇ ପାରି ନଥିବ ।

ପରା- (ପୋଥି ରଖି) କିନ୍ତୁ କବି ! ମୁଁ ତ କାହିଁ-

ଜୟ- ଆଃ, ଆସନାଁ , ଚାଲିଯାଇପାରେ କୁଆଡ଼େ, ବେଗେ ବେଗେ ଆସ । ମୁଁ ସ୍ପଷ୍ଟ ଶୁଣିଚି । ଅବିଶ୍ୱାସ କରନାହିଁ । ପରାଶର ! ମୁଁ ଠିକ୍‌ ଶୁଣିଛି- ଏଇ, ଏଇ-

ଗୀତ

ଏଇ, କୁଞ୍ଜଲତାର ତଳେ, ନୂପୁର ଚରଣ ଚଳେ

ରୁମୁଝୁମୁ ବାଜେ ସେ ଯେ ରୁମୁଝୁମୁ ଛଳେ ।।

ଦରଦର ବିକଶିତ ମଲ୍ଲୀ କୁସୁମ ସତେ ଚାରୁ ସୁଗନ୍ଧ କି ଢାଳେ,

ଢଳି ଢଳି ମଧୁକର କେଳି ରଚେ କି, ମନ୍ଦ ମଳୟ ତାଳେ ତାଳେ,

ସତେ କି ସେ ବନମାଳୀ ଉଭା ତରୁ ମୂଳେ ।।

(ଗାଇ, ଗାଇ, ବିହ୍ୱଳଭାବେ ଚାଲିଗଲେ)

ପଦ୍ମା- (ଧୀରେ ଧୀରେ ଆସି ପୋଥିଟି ଉଠାଇ ପଢ଼ିଲେ)

‘‘ବସନ୍ତେ ବାସନ୍ତୀ କୁସୁମସୁକୁମାରୈରବୟବୈ-

ର୍ଭ୍ରମନ୍ତୀ କାନ୍ତାରେ ବହୁବିହିତ କୃଷ୍ଣାନୁସରଣାମ୍‌

ଅମନ୍ଦଂ କନ୍ଦର୍ପଜ୍ୱରଜନିତ ଚିନ୍ତାକୁଳତୟା,

ବଳବ୍ଦାଧାଂ ରାଧାଂ ସରସମିଦ ମୁଚେ ସହଚରୀ ।୨୭।

(ପୋଥି ଦେଖି ବସିଲେ)

ବିମଳା- (ଆସି, ଅର୍ଦ୍ଧାନ୍ତରାଳରୁ) ସେଇଠୁ ? ତୁନି ହେଇଗଲୁ ଯେ ନୂଆ ଭାଉଜ !

ପଦ୍ମା- (ହଠାତ୍‌ ପୋଥି ବାନ୍ଧି ବସି) ଏଡ଼େ ଦୁଷ୍ଟ !

ବିମଳା- (ପୋଥି ବନ୍ଧାରେ ବାଧାଦେଇ) ଉଁ, ହୁଁ, ହୁଁ, । ଟୁଆଁ କରୁଥାଏ, -ଟୁଇଁ ଖାଉଥାଏ, ସେ ପିଠା ଭାରି ମିଠା ମ ଭାଉଜ ! ଟୁଆଁ ଟୁଇଁ କଥା ଶୁଣିନାଉଁ ?

ପଦ୍ମା- ଯାଃ ! ଛାଡ଼୍‌, ପୋଥିଟା ସଜାଡ଼ି ଦିଏଁ । ଘରକୁ ଯିବା । କେତେ କାମ ପଡ଼ିଛି ।

ବିମଳା- ନାଇଁମ ଭାଉଜ । ସତେ ଟୁଆଁ ଟୁଇଁ ପରି ତୁମେ ଦୁହେଁ ମୋର ଭାଇନା ଭାଉଜ । ଭାଇନା ଗୀତ ବାନ୍ଧିବେ, ଭାଉଜ ଗାଇବ । କି ସୁନ୍ଦର ତ ଗାଇଚୁ ! ଗା, ଗା, ଆଉ ଗୋଟିଏ, ଗା ।

ପଦ୍ମା- ଏଡ଼େ ନିର୍ଲ୍ଲଜୀ ! ଛି, ମୁଁ କଅଣ ଗାଇ ଜାଣେ ?

ବିମଳା- ହଉ, ପଦେ ଗାଆ ।

ପଦ୍ମା- କି, ତୁ ଗାଉନାଉଁ ।

ବିମଳା- ମଫସଲିଆଣି ଓଡ଼ିଆଣୀ ଝିଅ । ମୁଁ କି ଜାଣେ ଗୀତ ?

ପଦ୍ମା- ଆଉ ମୁଁ ?

ବିମଳା- ତୁ ପରା ଦକ୍ଷିଣିଆଣୀ ? ତମ ଆଡ଼େ ଗୀତର ଚଳନି ଅଛି, ଗା, ମୋ ରାଣଟି ।

ପଦ୍ମା- ଉଃ ! ତୁ ନ ଗାଇଲେ, ମୁଁ ଗାଇବି ନାଇଁ କେବେ ।

ବିମଳା- ଆଚ୍ଛା ତୁ ଆଗ ।

ପଦ୍ମା- ନାଇଁ ତୁ ଆଗ ।

ବିମଳା- ନାଇଁ, ନାଇଁ, ଭାଉଜ ବଡ଼ ନାଁ ନଣନ୍ଦ ବଡ଼ ! ତୁ ଆଗ କି !

ପଦ୍ମା- ଛି ! କି ଲାଜକଥା କହନା ! ସେମାନେ ଯେବେ ଆସିବେ ।

ବିମଳା- ମୁଁ କହିବି ଭାଇନା ! ମଣିଷ ନୁହେଁ, କୋଇଲି ଗାଉଥିଲା ।

ପଦ୍ମା- ଦର୍କାର ନାଇଁ । ତତେ ଫେର କିଏ ପାରିବ ? ମୁଁ ଗାଉଛି ପଛେ, ତୁ ଠିଆ ହେଇ ଦେଖ, କିଏ କୁଆଡ଼ୁ ଆସିବ, ବାକି ତୁ ମୋ ପଛେ ପଛେ ଗାଇବୁ । ନଇଲେ-

ବିମଳା- ଆଚ୍ଛା ହଉ ତୁ ଆଗେ ଗା, ସେଇଠଉ-

ପଦ୍ମ- (ପୋଥି ଧରି)

(ଗୀତ)

ପଦ୍ମା-      ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ,

ମଧୁକରନିକର କରମ୍ୱିତ କୋକିଳ

କୂଜିତ କୁଞ୍ଜକୁଟୀରେ,

ବିହରତି ହରିରିହ ସରସ ବସନ୍ତେ,

ନୃତ୍ୟତି ଯୁବତୀ ଜନେନସମଂ ସଖି ! ବିରହୀ-

ଜନସ୍ୟ ଦୁରନ୍ତେ ।୧।

(ଗାଇସାରି ବିମଳାକୁ ପୋଥି ଦେଇ)

ପଦ୍ମା- ଦେ, ଗା ଏଥର ।

ବିମଳା- ମୁଁ ?

ପଦ୍ମା- ନିଶ୍ଚେ ଗାଇବୁ- ଗା (କାନ ଧରି)

ବିମଳା- (ଛଡ଼ାଇ) ଓଃ, କାଟୁଛି, କାଟୁଛି । ଗାଇବି ଗାଇବି, ଛାଡ଼ ।

ପଦ୍ମା- ଗା (ପାଖକୁ ନେଇଗଲେ)

ବିମଳା- (ଗାଇଲା) ଉନ୍ମଦ ମଦନ ମନୋରଥ ପଥିକ-

ବଧୂଜନଜନିତ ବିଳାପେ,

ଅଳିକୁଳ ସଙ୍କୁଳ କୁସୁମ ସମୂହ ନିରାକୁଳ

ବକୁଳ କଳାପେ ।।

ପଦ୍ମା- (ଗାଇଲା) ମୃଗମଦସୌରଭରଭସବଶଂବଦ

ନବଦଳ ମାଳ ତମାଳେ,

ଯୁବଜନ-ହୃଦୟ-ବିଦାରଣ-ମନସିଜ-

ନଖରୁଚି-କିଂଶୁକ ଜାଳେ ।।

(ଦୁହେଁ) ମଦନ-ମହୀପତି-କନକ-ଦଣ୍ଡରୁଚି-

କେଶର-କୁସୁମ-ବିକାଶେ,

ମିଳିତ-ଶିଳୀମୁଖ-ପାଟଳିପଟଳ-କୃତ ସ୍ମର-

ତୃଣ-ବିଳାସେ ।।

ବିମଳା- ପୁଡ଼ା ଲେଉଟାଇ ଆର ଫାଳ ଗା-

ପଦ୍ମା- (ପୁଡ଼ା ଲେଉଟାଇ) ଆଉ ନାହିଁ । ସେତିକି ଲେଖା ହେଇଚି ।

ବିମଳା- ସତେ ? ଦେଖି । ଆଲୋ ହଁ ତ ! ଆଉ ତ ନାଇଁ । କି ପୋଥି ଇଏ ? (ଉପର ଦେଖି) ଶ୍ରୀ ଗୀତଗୋବିନ୍ଦ । କେଡ଼େ ସରଳିଆ ଲେଖା ମ ! ଆମେ ତ ମାଇକିନିଆ, ଟିକିଏ ଟିକିଏ ହେଲେ ବୁଝି ପାରୁଚେଁ । ଭାରି ସରଳ ।

ପଦ୍ମା- କିନ୍ତୁ ଭାଇନା ଟି ତୋର-

ନେପଥ୍ୟେ- ପଦ୍ମା ! ପଦ୍ମା !

ପଦ୍ମା- (ଚମକି) ହେଇ ଆସିଲେଣି ଘରକୁ ସବୁ ।

ବିମଳା- ହଁ ମ, ସବୁ ତ ତୋର ସେଇ, ମୁଁ ଜାଣେ ସେ କଥା ଯେ !

ପଦ୍ମା- ଚୁପ୍‌ (ଗାଲ ତୋଡ଼ି ଦେଲେ)

ବିମଳା- ଭାଇନା ! ଭାଉଜ ତମ ଗୀତଗୋବିନ୍ଦ (ପଦ୍ମାକୁ) କହିଦେବି ତ, କହିଦେବି ତ ଗାଉଥିଲା ବୋଲି-

ପଦ୍ମା- ଛିଃ ଛି, ସୁନା ନଣନ୍ଦଟି ପରା !

ବିମଳା- କହିଦେବି ତ- (ହସିଲା)

ପଦ୍ମା- ସେମିତି ହେଲେ (ମୁହଁ ଚିପି ଧରିଲେ)

ବିମଳା- ନାଇଁ, ନାଇଁ, ପୋଥି ସଜାଡ଼ି ଦେଇ ଯାଉଚି ।

(ବଡ଼ ପାଟିରେ)

ପଦ୍ମା- ଚାଲ୍‌ ଚାଲ୍‌ !

ତୃତୀୟ ଦୃଶ୍ୟ

(କେନ୍ଦୁଲି ଗାଆଁ ଦାଣ୍ଡ, ଦୁଇ ଜଣ ଦୁଷ୍ଟ ଗ୍ରାମବାସୀ)

ରଥିଆ- ଦେଖିଲୁ ?

ପୁରିଆ- ଆଃ, ମାଙ୍କଡ଼ ବେକରେ ମୋତିହାର ପରି ଜୟାକୁ କି ୟେ ରତ୍ନ !

ରଥିଆ- ଦେଖ୍‌, ତରତର ହ ନାଁ । ବିମଳୀକି ହାତ କରିବାକୁ ହବ । ତେବେ ଯାଇ- ବିମଳୀ ଏଇବାଟେ ଫେରିବ ।

ପୁରିଆ- ଆସୁଥିବ ମ ସେ ।

ରଥିଆ- ଆରେ, ଦିହ ଛପା ଦେ ରେ । ଅଣଆଡ଼ିଆକୁ ଚାଲ ।

ପୁରିଆ- ଆରେ, ତା କଥା ମୋତେ ଲାଗେ, ତୁ ବେପରୁଆ ଥା । ସେ ଯୋଉ ଛଡ଼ିନ୍ଦା ଟୋକୀ !

ରଥିଆ- ଆମ ଅଜା କହିଲା ପରି ଯେମିତି ଛେଉକି ବିଲେଇ ତ ! ତାକୁ ପାଇଲେ- ପଦ୍ମା ଆମ ହାତମୁଠାରେ ବୋଲ । ଆରେ, ସେଥିକି ପାଞ୍ଚ ପଚିଶି ପଡ଼ୁ । ଛଳେ, ବଳେ କଉଶଳେ- ଯେମିତି ହଉ ଥରେ କେମିତି ପଦ୍ମା ସାଙ୍ଗରେ ଖାଲି ନିରୋଳାରେ ଦେଖା ହେଲେ-

ପୁରିଆ- ହେଲେ, ସେଇଠୁ ?

ରଥିଆ- ସେଇଠୁ ? ୟା ପାଲରୁ ବରତି ଯିବ ? ଏମିତି ସତୀ ତ ମୁଁ ଖଣ୍ଡ ମଣ୍ଡଳରେ ଦେଖି ନାହିଁ । ଥରେ ଖାଲି ଚାରିଆଖି ହବାଯାଏଁ ।

ପୁରିଆ- ସେ କଅଣ ସହଜ ? ଏକୁଟିଆରେ ପଦ୍ମା କୋଉଠିକି ନ ଯାଏ । ନିଆଁ ପଛେ ପଛେ ବାଆପରି ସବୁବେଳେ ସେ ବିମଳା ନାଇଁ ତ ରୋହିଣୀ ତା ସାଙ୍ଗେ ସାଙ୍ଗେ ଅଛନ୍ତି ରୋହିଣୀଟା-

ରଥିଆ - ବୋପା ଲୋ ! ରଣଚଣ୍ଡୀ ସେ ଖଣ୍ଡ ! ତା କଥା କହ ନାଁ । ତାକୁ ଦୂରରୁ ଦଣ୍ଡବତ । କଞ୍ଚା ଡାହାଣୀ, ସଦ୍ୟ ଜୀଅନ୍ତା ଖାଇଯିବ । ହା, ବିମଳା କଥା କହିଲ, ସେଥିକି ବହପ ପାଏ । ପୁରିଆ ଆଚ୍ଛା, କୋଉଥିରେ ତାର ଶରଧା ଥିବ କହନାଁ ?

ରଥିଆ- କାହାର ? ବିମଳୀର ?

ପୁରିଆ- ହଁ ।

ରଥିଆ- ତାଆର (ଭାବି) ଆଜିକାଲି ନୂଆ ଚଳନି ହେଇଚି, ଏଇ, ଏଇମ, ନାକଫୁଡ଼ୁକି ।

ପୁରିଆ- ଧେତ୍‌, ପସନ୍ଦ ହବ ନାହିଁ ।

ରଥିଆ- ନାଇ ତ ଚଉଁରୀଭୁଣ୍ଡି, ପିହାଣିଆ ।

ପୁରିଆ- ଉଁ ହୁଁ ।

ରଥିଆ- ଆରେ ସୁନାର ମ, ନୋଇଲେ ଚନ୍ଦ୍ରଝୁମ୍ପୀ ।

ପୁରିଆ- ହାଁ, ଚିତା କି ଚନ୍ଦ୍ରଝୁମ୍ପୀ, ତା ସାଙ୍ଗକୁ ଆମ ଏଇ ଗାଆଁ ବୁଣା ଷାଠିକିଆ ସୁତାର ଖଣ୍ଡେ ବାରହାତି ଧୂପ୍‌ଛାୟା କେନ୍ଦୁଲି କସ୍ତା, କୁମ୍ଭ କାଙ୍ଗୁଲା ଥାଇ ।

ରଥିଆ- (ଠାରି) ଏଇ, ଏଇ, ଏଇ !

ପୁରିଆ- ଆଃ, ବୁଝିଲୁ, ଭାଗ୍ୟ ସଳଖ, ଦେଖ ! ପଟ ଛାଡ଼ିବୁ ନାହିଁ । କହିବୁ ।

ରଥିଆ- ତୁ ଆଗ, ନାଁ ମୁଁ ଆଗ ?

ପୁରିଆ- ତୁ ଆଗ କହନାଁ, ଦବାନବା ବେଳକୁ ତ ମୁଁ ଅଛି ।

ରଥିଆ- ନାଇଁ ଭାଇ, ତାର ବାଗସବୁ ତୋତେ ଜଣା, ତୁ ଆଗେ କହ ।

ପୁରିଆ- ନାଇଁ ନାଇଁ, ଆଗେ ତୁ । କଥାଟା ଖଞ୍ଜରେ ପକା ।

(ବିମଳୀ ସେଇ ବାଟେ ପାଣି ଧରି ଚାଲିଗଲା)

ରଥିଆ- (ପୁରିଆକୁ କେଞ୍ଚି, କହ ବୋଲି ଠାରିଲା)

ପୁରିଆ- (ଅସ୍ପଷ୍ଟ କଥାରେ କହିଲା) ତୁ କହନାଁ ।

(ଏଇ ଅବସରରେ ବିମଳୀ ଦୂରକୁ ଗଲା)

ରଥିଆ- (ବିମଳୀକୁ) ଟିକିଏ କାମ ଥିଲା ଯେ-

ବିମଳୀ- (ଫେରି ଚାହିଁ) କାହା ପାଖେ ? ମୋ ପାଖେ ? କଅଣ ?

ପୁରିଆ- ନାଇଁ (ଖନି ମାରିଗଲା ତୁଣ୍ଡ) ମୁଁ ନୁହଁ, ମୋର ନୁହେଁ, (ରଥିଆକୁ ଠାରି) ସେ-ସେ ।

ବିମଳୀ- କଅଣ, କହୁନୁ ?

ପୁରିଆ- ତୁ ଡାକିଲୁ ନାଁ ? (ରଥିଆକୁ ଚାହିଁ)

ବିମଳୀ- ପୁରିଆ, ସେ ଶାଳୀ ଟାପରା ଆଉ କାହାକୁ କରିବୁ, ଏକା ଖଡ଼ୁମୁଷାକେ ରସିକ ପଣିଆଁ ଛଡ଼େଇ ଦେବିଟି ! ହା ରେ, ଜାଣିଛୁଟି ମୋ ନାଁ ବିମଳୀ ।

ପୁରିଆ- ମୁଁ ତ କିଛି କହିନାଇଁ ।

ରଥିଆ- ମୁଁ ତ ବି-

ବିମଳୀ- ତୁ ତ-ମୁଁ ତ- ଯା ଯା- (ଚାଲିଗଲା)

ପୁରିଆ- ଦେଖିଲୁ ?

ରଥିଆ- ରାଗ ଦେଖିବି କଅଣ ତୁ ଛୁଞ୍ଚିମୁହାଁ ଯୋଉଠିଥିବୁ-

ପୁରିଆ- ମୁଁ ଛୁଞ୍ଚି ମୁହାଁ ?

ରଥିଆ- ଆଉ ? ମୁଁ ତ ଡାକିଲି ହେଲେ । ତୁ କହିଲୁ ନାହିଁ ? ସେଇ କଥା ତ ମୁଁ ତୋତେ ଆଗରୁ କହିଛି; ଦେଲା ନେଲା ବେଳ ମୋର ।

ପୁରିଆ- ଯାଃ, ଗୋଖର ସାପପରି ସେ ଯୋଉ ଫଁ ଫଁ ହଉଛି-

ରଥିଆ- ଆରେ, ସେଇଟା ଶୁଭ ଛୁଚକ । ଜଣେ ଜଣେ ଥାଆନ୍ତି, ଆଗରୁ ଟିକିଏ ସେମିତି ଫଣା ଟେକନ୍ତି । ବାକୀ, ପହିଲି ଘାଉଡ଼କୁ ଅତରଛ ନ ହେଇ ଟିକେ ସହିଗଲେ ହୁଏ ନାଁ ? ତୁ ଗୋଟେ ଛେରୁ ଟେ ।

ପୁରିଆ- ଆଉ, ମୁଁ ତ ଛେରୁ, ତୁ ?

ରଥିଆ- ମୁଁ ? ରହ, ଚନ୍ଦ୍ର ଝମ୍ପୀଟେ ଆଉ କସ୍ତା ଖଣ୍ଡେ ହେଇଯାଉ ।

ପୁରିଆ- ଆଚ୍ଛା, ଦେଖିବା ତୋ ଅଣ୍ଡିରିପୁଅ ପଣିଆଁଟା !

ରଥିଆ- ହଁ, ଦେଖିବୁ । ତା ଫଣା ଭାଙ୍ଗିଯିବ । ଗଦ ଅଛି, ଜଡ଼ି ଅଛି, ନୋଇଲା ବେଳକୁ ଜରମହୁରା ଅଛି ଟି, ଚାଲ ଚାଲ । ଆଜି ଯୋଗଟା ତ ଫସକି ଗଲା, ଖାଲି ତୋରି ଯୋଗରୁ ।

ପୁରିଆ- ଆଉ କଅଣ ? କହିବୁ ନାହିଁ କାହିଁକି ? ଚାଲୁନୁ । ଏବେ ପରାଚୀ ନଈକୂଳେ ତାକୁ ଦେଖିବୁ ତ, ଚାଲ ।

ରଥିଆ- ନାଁ, ଆଜି ? କହିଲି ପରା, ଯୋଗ ଖରାପ । ଜିନିଷ ତିଆରି ହଉ, ଟିକିଏ ରାଶି ନକ୍ଷତ୍ର ଦେଖେଇ, କାଣ୍ଡେ ନାଛିବି ଯେ –

ପୁରିଆ- ତୁ କାଣ୍ଡେ ନାଛ, ଦିକାଣ୍ଡ ନାଛ ବାବୁ ! ମୋର ଏ ଠିଆପାଲାକୁ ଆଜିଠୁ ଦଣ୍ଡବତ ।

ରଥିଆ- ଦେଖ ପୁରିଆ, ଭଲ ହବ ନାହିଁ କହୁଛି ।

ପୁରିଆ- ଯାହା ହଉ ଭାଇ । ମୁଁ ପାନକରେ ଥଣ୍ଡା । ସେ ଯୋଉ ତମ ତମ ହେଇ ଚାହିଁଲା ।

ରଥିଆ- ଆରେ, ସେ ତମ ତମ ଚାହାଣୀ କି ଡରିଗଲେ ଆଉ ଚଳିବ ? ଚାଲ । ମରଦପୁଅ ହେଇ ଏଇଥିକି ଛାନିଆଁ ? ଏତିକିରେ ହଦେଇ ଯାଉଛୁ ? ଚାଲ (ନେଇଗଲା)

 

 

 

 

 

 

ଚତୁର୍ଥ ଦୃଶ୍ୟ

(କୋକିଳ ଝଙ୍କୃତ ବାସନ୍ତୀ ରଜନୀ । ପୋଥି ଓ ଲେଖନୀ ସହ ଆସୀନ ଜୟଦେବ । ପଦ୍ମା ଅଦୂର ନେପଥ୍ୟରୁ ଗାଇ ଗାଇ ଆସୁଥିଲେ) ଗୀତ-

(ଗୀତ)

ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ ।

କେଳି ଚଳନ୍‌ମଣି କୁଣ୍ଡଳମଣ୍ଡିତ ଚଣ୍ଡଯୁଗସ୍ମିତ ଶାଳୀ ।।

ହରିରିହ ମୁଗଧ୍‌ ବଧୂନିକରେ

ବିଳାସିନି- ବିଳସତି- କେଳିପରେ ।

ପୀନପୟୋଧର-ଭାରଭରେଂଣ ହରିଂ ପରିରଭ୍ୟ ସରାଗମ୍‌

କୋପ-ବଧୂରନୁଗାୟତି-କାଚିଦୁଦଞ୍ଚିତ ପଞ୍ଚମ ରାଗମ୍‌ ।

କାପି-ବିଳାସ-ବିଲୋକ-ବିଲୋଚନ-ଖେଳନ-ଜନିତ-ମନୋଜମ୍‌

ଧ୍ୟାୟିତ ମୁଗ୍‌ଧ ବଧରଧିକଂ ମଧୁସୂଧନ ବଦନ ସରୋଜମ୍‌ ।

(ଜୟଦେବଙ୍କ ପାଖରେ ପହଞ୍ଚି ଗୀତ ବନ୍ଦ କରି ପଚାରିଲେ)

ପଦ୍ମା- ହଁ, ମଥା ଉପରେ ଫାଟି ପଡ଼ୁଛି ପୂର୍ଣ୍ଣଚନ୍ଦ୍ରର ଉଛୁଳା ହସ । ମୁକୁଳା ପବନ ଅଜାଡ଼ି ଦଉଚି ସୁଗନ୍ଧ ବାସରାଶି । ବସନ୍ତର ଏ ଆନନ୍ଦ ପ୍ରକୃତି ଉପଭୋଗ ନ କରି, ଧରି ବସିଲେ କଅଣ ନାଁ-ପୋଥି ଆଉ ଲେଖନୀ ।

ଜୟ- (ଅଳ୍ପ ହସି) ହୁଁ ।

ପଦ୍ମା- ହୁଁ, ଅର୍ଥାତ୍‌ ?-

ଜୟ- ଅର୍ଥାତ୍‌ ପୋଥି ଆଉ ଲେଖନୀ ।

ପଦ୍ମା- ଅର୍ଥାତ୍‌ ନୀରବ

ଜୟ- ଅର୍ଥାତ୍‌ ସରସତାର ଅଭାବ ।

ପଦ୍ମା- ଅର୍ଥାତ୍‌ ?

ଜୟ- ଅର୍ଥାତ୍‌ ସରସତା ଉପଭୋଗ କରିବାକୁ ଦେଲ ନାହିଁ ଯେ-

ପଦ୍ମା- ମୁଁ ?

ଜୟ- ହଁ, ତୁମେ । ବସନ୍ତର ପ୍ରକୃତି ପରାଫୁଟୁଥିଲା ତୁମର ଗୀତର ଝଙ୍କାର ଭିତରେ ? ବସି ବସି ବଡ଼ ଉପଭୋଗ କରୁଥିଲି । ତୁମେ ନୀରବ- ଆଉ ମୁଁ ନୀରସ ।

ପଦ୍ମା- (ହସି)! ଓଃ , ହାଉ ହାଉ କରି ପାଟି କଲେ ଯାଇ ତୁମର ସରସତା ଫୁଟିବ ? ଜାଣି ନ ଥିଲି ତ ! ବେଶ୍ ଏଣିକି କରିବି ।

ଜୟ- ପଦ୍ମା ! ଶତ ଚେଷ୍ଟା କଲେ ମଧ୍ୟ କୋଇଲି କାଆ କାଆ କରିପାରିବ ନାହିଁ ଯେ ! ଗାଆ,

ପଦ୍ମା- କଅଣ ?

ଜୟ- ଯାହା ଗାଉଥିଲୁ ।

ପଦ୍ମା- ଗାଇଲେ ?

ଜୟ - ଗାଅ, ମୁଁ ଲେଖେଁ, ତୁମେ ଯେ ଶକ୍ତି, ସ୍ପନ୍ଦନ ।

ପଦ୍ମା- ଏତେ କଥା ମୁଁ ବୁଝେ ନାଇଁ । ତୁମେ ଆଦେଶ କଲ, ମୁଁ ପାଳିବି, ବାସ୍‌, ଏତିକି । (ପୁଣି ଗୀତ ଗାଇଲେ)

 

(ଗୀତ)

କାପି କପୋଳତଳେ ମିଳିତା ଲପିତୁଂ କିମପିଶୃତି ମୂଳେ

ଚାରୁ-ଚୁଚୁମ୍ବ-ନିତମ୍ବବତୀ ଦୟିତଂ ପୁଲକୈରନୁକୂଳେ ।

କେଳିକଳାକୁତୁକେନଚକାଚିଦମୁଜମୁନା-ବନକୂଳେ

ମଞ୍ଜୁଳ-ବଞ୍ଜୁଳ-କୁଞ୍ଜଗତଂ ବିଚକର୍ଷକରେଣ ଦୁକୂଳେ ।୫।

(ଜୟଦେବ ପଦାଙ୍କ ଗୀତ ଶେଷ ହେବା ପରେ ବଡ଼ ଆନନ୍ଦରେ କହିଲେ)

ଜୟ- ବେଶ୍‌, ଏଥର ଗାଇଲ ଦେଖି ଏଇ ରଚନାଟି (ବଢ଼ାଇ ଦେଲେ ପୋଥି)

ପଦ୍ମା- ରଚନା ! ଏତିକିବେଳ ଭିତରେ ଶେଷ ?

ଜୟ- ତୁମେ ଯେ ଶେଷ କଲ- ତୁମର ଗୀତଟି ସହିତ ଯେ ମୋର ରଚନା ମଧ୍ୟ ଶେଷ ହୋବର କଥା । ଆଉ ଗାଅ, ପୁଣି ଲେଖିବି । କହିଲି ପରା ତୁମେ ଶକ୍ତି, ତୁମର ଏ ଗୀତ ଯେ ମୋତେ ଲେଖନୀ ଧରାଇଛି ପଦ୍ମା ! ଗାଇଲ ଗାଇଲ, ଏଇଟିକି ।

ପଦ୍ମା- ଗାଇବି ? ମୁଁ ? କେମିତି ଗାଇବାକୁ ହବ ଜାଣେ ନାଇଁ ତ !

ଜୟ- ଓ, ସତକଥା । ମୋ ସଙ୍ଗେ ସଙ୍ଗେ ଗାଆ ଦେଖି ।

(ଜୟଦେବ ଗାଇଲେ ପଦ୍ମା କଣ୍ଠ ମିଶାଇଲେ)

ଗୀତ

ନିନ୍ଦିତ ଚନ୍ଦନମିନ୍ଦ୍ରକରଣ ମନୁବିନ୍ଦତି ଖେଦ ମଧିୀରମ୍‌

ବ୍ୟାଳନିଳୟ ମିଳନେନ ଗରଳମିବ କଳୟତି ମଳୟ-ସମୀରମ୍‌

ସା ବିରହେ ତବ ଦୀନା

ମାଧବ ମନସିଜ, ବିଶିଖ ଭୟାଦିବ ଭାବନୟା ତୟିଲୀନା ।

(୨)

ଅବିରଳ-ନିପତିତ-ମଦନ ସରାଦିବ ଭବଦବନାୟବିଶାନମ୍

ସହୃଦୟ ମର୍ମ୍ମଣି-ବର୍ମ୍ମକରୋତି ସଜଳ ନଳିନୀ-ଦଳଜାଳମ୍‌

(୩)

କୁସୁମ ବିଶିଖ ଶର ତଳ୍ପ ମନଳ୍ପ ବିଳାସ କଳା କମନୀୟମ୍‌

ବ୍ରତ ମିତ ତବ ପରିରମ୍ଭ ସୁଖାୟ କରୋତି କୁସୁମ ଶୟନୀୟମ୍‌ ।

 

ପଞ୍ଚମ ଦୃଶ୍ୟ

(କେନ୍ଦୁଲି ଗାଆଁ ଦାଣ୍ଡ)

(କସ୍ତା ଖଣ୍ଡିଏ ଧରି, ଛତା କାଖରେ ଜାକି ଆସିଛି ପୁରିଆ । ବଡ଼ ଛନ ଛନ ହୋଇ ଏଣେ ତେଣେ ଚାହୁଁଚି । ଯେମିତି ସେ କାହାର ଅପେକ୍ଷାରେ ଭାରି ଉତ୍କଣ୍ଠିତ ।)

ପୁରିଆ- ରଥିଆ, ଏ ରଥିଆ ! ନାଃ, ସେ କଅଣ ସହଜେ ଆସିବ ? ସେଦିନ ସେମିତି ବିଗାଡ଼ିଲା । ଆଜି ଏବେ କାନେ କାନେ ତାକୁ କହୁଛି- ଆରେ ବଣିଆଁ ଘରୁ ଯେମିତି ପାର ସେମିତି ବେଗେ ଟିକିଏ ରକମଟାକୁ ନେଇକରି ଗାଆଁ ମୁଣ୍ଡ ଗୋହିରୀକି ଆ । ସେ କଅଣ ମଣିଷପଣିଆଁ କରିବ ଯେ କୋଉ କାମ ହବ ! ଯାଆନ୍ତି ବାହାରି ତା ପାଖକୁ ହେଲେ । ଏଣେ ଯେବେ ବିମଳୀ ଚାଲିଯାଏ ମୁଁ ଯାଇକରି ବାହୁଡ଼ିଲାବେଳକୁ ? ନାଃ, ଏଇଠି ଥାଏଁ, ଯାହା ହବାର ହବ । ଠିକଣା ବେଳକୁ ଆଜି ଯେବେ ନ ଆସିଛି, ପିଠିରୁ ଛାଲ ଉତରି ଦେବି ତାର (ଦାନ୍ତ କାମୁଡ଼ି) ।

(ବିମଳା, ହାତରେ ଫୁଲଡାଲା ନେଇ ଚାଲି ଆସୁଥିଲା ସେଇ ବାଟରେ । ପୁରିଆ ଅଧଦୂରରୁ ତାକୁ ଦେଖି କାନିତଳେ କସ୍ତାକୁ ଲୁଚାଉ ଲୁଚାଉ ଲୁଚାଉ)-

ପୁ:- ଗଲା ତ ! ଗଲା ତ ପାଗ ବିଗିଡ଼ି, ଆଉ କଅଣ ? ଏଇ ତ ଆସିଗଲା ସେ । ରଥିଆର କାଇଁ ଦେଖାଅଛି ? ଜାଣେ ପରା ଗୋଟେ ମେଢ଼ି ଖଲିଆଟେ ସେ । ଉଃ (ଦାନ୍ତ କାମୁଡ଼ି) ଆସୁ, ଆସୁ ଆଜି ।

(ବିମଳୀ ନିକଟବର୍ତ୍ତିନୀ ହେବାରୁ ଟିକିଏ ପଛେଇ ଗଲା ଓ ବିମଳୀ ଅଳ୍ପ ଆଗ ବଢ଼ିଯାଇଛି, ୨/୩ ଥର ଡାକିବି କି ନ ଡାକିବି ଭାବି, ସାହସ କରି ତାକୁ ଡାକିଲା)

ପୁ:- ବିମଳୀ ।

ବି:- (ଫେରି ଚାହିଁ, ଚାଲିଯିବାକୁ ବସିଲା)

ପୁ:- ବିମଳୀ ମ !

ବି:- କାହିଁକି ଡାକୁଛୁ ? ପୁରିଆ ! ତୋତେ କଣ ଦଇବ ଛାଡ଼ିଲାଣି କି ?

ପୁ:- (ଚମକି, ସାହାସ ଧରି) ନାଇଁ ତ- ମୁଁ-

ବି:- କଅଣ ମୁଁ ? ମତେ କଅଣ ଦିଶୁ ନାଇଁ ତୁ ବୋଲି ? -ଏଇ ଦିନ ଦିହିପହରଟାରେ ?

ପୁ:- ସେଇଆ ତ ।

ବି:- କୋଉଆ ତ ? ଏଁ ? (ପାଖକୁ ମିଶି ଆସିଲା)

ପୁ:- ମୁଁ ବୋଇଲିକି ଏଡ଼େ ଖରା ?-

ବି:- କାଟୁଚି ଯେବେ ଛତାଟା ଧରି ପକାଉନୁଁ ?

ପୁ:- (ଛତାଟା ବିମଳୀ ମଥା ଉପରେ ଫିଟାଇ ଟେକି) ହଁ, ହଁ, ମୁଁ ତ ସେଇଆ କହୁଥିଲି ।

ବି:- (ଦୂରକୁ ଘୁଞ୍ଚି) ଦେଖିବୁ ଏଇନେ ଛତରା । ରଖ, ରଖ ତୋ ଛତା ।

ପୁ:- (ଛତା ବନ୍ଦ କରି) ନାଇଁ ନାଇଁ ମୁଁ କଅଣ କହୁଥିଲି କି –

ବି:- କଅଣ କହୁଥିଲୁ ?

ପୁ:- ବୋଇଲି ଏଡ଼େ ଖରାଟାରେ କଅଣ ପଦ୍ମା ଘରକୁ ଯାଉଛୁ ?

ବି:- ହଁ, ମୁଁ ମୋର ଯୋଉଠିକି ଗଲି, ତୋର କଅଣ ଗଲା ?

ପୁ:- ନାଇଁ ଏ ଖରାଟାରେ-

ବି:- ହଁ ଯେ, ତୋର କଅଣ ଥାଏ ? ତତେ ବାଧୁଛି ?

ପୁ:- (ହସି) ୟା ଆଉ ବାଧନ୍ତା ନାଇଁ ନା ? ପରଟେ ପର ଟାକ ପାଇଁ ବଥଉଚି- ନହେଲା ବା ତୁ ବାହ୍ମୁଣ, ମୁଁ ଖଣ୍ଡେଇତ । ତୁ ତ ଫେର ମୋ ସାଇ ଭାଇର- ଆପଣାର ଲୋକ ।

ବି:- ସତେ ? ଆପଣାର ଲୋକ ! ତୁ ମୋର ନାଁ-ମୁଁ ତୋର ମ ? ଏଇ ସୁଆଗ ଦେଖେଇବାକୁ ଡାକୁଥିଲୁ ? ଚାଲ, ଆଜି ଗୋବର୍ଦ୍ଧନ ପଣ୍ଡିତଙ୍କ ପାଖକୁ । ତୁ କେମିତି ରସିକ ହେଇଛୁ ଦେଖୁଛି ମୁଁ । ସେଦିନ ସେମିତି ରଥିଆକୁ ସଙ୍ଗରେ ଧରି-

ପୁ:- ନାଇଁ ନାଇଁ, ସେଇଥିପାଇଁ ପରା ଆଜି ରଥିଆକୁ ସାଙ୍ଗରେ ଆଣି ନାଇଁ । ଭଲଲୋକ ନୁହେଁ ସେଇଟା ।

ବି:- ଆଉ ତୁ’ଟା ? ତୁଟା ଭାରି ଭଲଲୋକ, ନାଁ ? ଏଇଥିପାଇଁ ସୁଆଗ ଡାକ- ବିମଳୀ, ବିମଳୀ ! ଯା, ଯା’ରେ ତୁଣ୍ଡ । ଦଉଚି ତତେ ଆଜି ।

ପୁ:- ନାଇଁ, ମୁଁ କଅଣ କହୁଥିଲିକି- ତୁ ଏଡ଼େ ବେଗେ ରାଗିଗଲେ ଆଉ କହିବି କେମିତି ?

ବି:- ଆଉ କଅଣ କହିବୁ ?

ପୁ:- କଅଣ କି ? ଏଇ-ଏଇ କସ୍ତା ଖଣ୍ଡିକ –

ବି:- କଅଣ ?

ପୁ:- ପସନ୍ଦ ହଉଚି ?

ବି:- କାହିଁକି ? ମୋ ପସନ୍ଦ ଅପସନ୍ଦରେ ତୋର କଅଣ ଥାଏ ?

ପୁ:- ଏଖଣ୍ଡି ମୋ ପସନ୍ଦରେ ତୋତେ ମାନନ୍ତା ।

ବି:- ଓ, ମୋ ପାଇଁ ଆଣିଚୁ ତେବେ, ଏଇକସ୍ତା ଖଣ୍ଡିକ ।

ପୁ:- ନାଇଁ, ନାଇଁ ଖାଲି କସ୍ତା କାହିଁକି ? ଉଁଃ, ଏତେବେଳେ ହେଲେ ସେ ଆସିଲା ? ଗୋଟାଏ ଚନ୍ଦ୍ରଝୁମ୍ପୀ ତୋ ପାଇଁ ଗଢ଼େଇଥିଲି ଯେ- ବଣିଆଁଠି, ଭଲ ଗଢ଼ିଛି । ଅସଲି ଜୟପୁରୀ ମହୁଡ଼, ପଥର ବସା । ତା’ର କଅଣ ଦେଖାଅଛି ? ଟିକିଏ ଏଠି ରହିବୁ, ମୁଁ ନେଇ ଆସନ୍ତି ହେଲେ ।

ବି:- ସତେ ? ଏଡ଼େ ଶରଧା ତୋର ମୋଠି ?

ପୁ:- ମିଛ କହୁନାଇଁ । ବାପା ରାଣ, ମାଆ ରାଣ, ମୋତେ ବାଟ ଗୋସେଇଁଙ୍କ ରାଣ ଲୋ ! ଦିନ ରାତି ମୁଁ ପରା ଖାଲି ସପନ ଦେଖୁଚି ।

ବି:- ସପନ ଦେଖୁଚୁ, ନାଁ ?

ପୁ:- ସତେ, ରାଣ ଅଛି । ତୋ ଦିହ –

ବି:- ଛୁଁ ନା, ଥାଉ, ଥାଉ, ମୁଁ ପରା ଦିଅଁଙ୍କ ଫୁଲ ଧରିଛି ।

ପୁ:- (ଘୁଞ୍ଚି) ହଉ, ହଉ ।

ବି:- ହଉ ତେବେ, ତୁ ଚନ୍ଦ୍ରଝୁମ୍ପୀ ହେରିକା ସଜାଡ଼ି କରି ବସିଥା ଏକାଠି, ମୁଁ ଜୟା ଭାଇନା ଘରେ ଫୁଲତକ ଦେଇ, ଏଇ ବାଟେ ଆସୁଛି ।

ପୁ:- ଏ ଖଣ୍ଡିକ ନେଇଯା ।

ବି:- ଏକାଠି ନେଲେ ହବନାଇଁ ?

ପୁ:- ଉଁ ହୁଁ, ନ ନେଲେ ମୋ ମନରେ ଭାରି ଦୁଃଖ ହେବ ।

ବି:- ଆହା ! ତୋର ଦୁଃଖ ହବ ? ମୁଁ ଫେର୍‌ ସହିବି ? ନାଇଁ, ସେମେତେ ହେଲେ ଦେ, ଦେ । (ହାତ ବଢ଼ାଇଲା)

ପୁ:- ଆହା ! ବିମଳୀ ପରି ଫେର- (ବଢ଼େଇ ଦେଲା ଓ ବିମଳୀ ନେଇଗଲା) ମୁଁ ଚନ୍ଦ୍ରଝୁମ୍ପୀ ଆଣି ଏଇଠି ଅନେଇଁଛି । ଏଁ ?

ବି:- ହଉ, (ଚାଲିଗଲା ।)

ପୁ:- (ଖୁବ୍‌ ଆନନ୍ଦରେ) ବିମଳୀ, ନାଇଁ ନାଇଁ, ଯା ଯା । ପଦ୍ମା କଥାଟା ଆଉ ଦିନେ । ଟିକିଏ ବାଗେଇ ଯାଉ, ରଥିଆ ହୁଣ୍ଡା କହୁଛି କଅଣ ନାଁ । ଫଁ-ଫଁ ହଉଚି । କିରେ, ବିମଳୀର ମନଟି ପୁରିଆକୁ ଅଜଣା ?

ରଥିଆ- (ଆସି) ଆଣିଲି ରେ ପୁରିଆ ଭାଇ !

ପୁରିଆ- (ଚାପୁଡ଼େ ମାରି) ଶଳା ! ବୋଇଲା ଭାଇ ! ଭାଇ କଅଣ ବେ ? ଏତେ ଉଛୁର ? କହୁଚି ମୁଁ ବେଗେ ଆ-

ରଥିଆ- ସେ ଦେଲେ ତ ! (ଗାଲ ଆଉଁସି) ଏଇଥି ପାଇଁ ମୋତେ ଏଡ଼େ ଚାପଡ଼ା ଟେ –

ପୁରିଆ- ମାଇଲଣିକି, ଶଳାକୁ ତ ମନ ହେଉଚି, ପଣେ କି ପାଞ୍ଚଣ୍ଡା ଥୋରନ୍ତି । (ମିଶିଯାଇ) ଉଁ, ଛାର ମଶାକୁ ମାଇଲେ କଅଣ ହବ ? (କାନ ଧରି) ଆଉ ଟିକିଏ ଆଗରୁ ଯେବେ ଶଳାଟି ମୋର ଆସି ଥାଆନ୍ତୁ, ଦେଖି ଥାଆନ୍ତୁ ରେ ଅମଙ୍ଗୁଳିଆ, ସାପ ଗରଜନକୁ ଓଷଧ କଅଣ !

ରଥିଆ- ଓଃ କାଟୁଚି ।

ପୁରିଆ- କାଟୁଚି କଅଣ ? ଛିଣ୍ଡେଇ ତ ଦେବି ଶଳାର କାନ । ମୋ ଦିହ ଯାହା ରାଗୁଛି ! ତୁ ଗଧର ପରା ଟିକି ଟିକି କରି ମାଉଁସ ଖାଇଲେ ଦୋଷ ନାଇଁ ରେ ! କସ୍ତା ଖଣ୍ଡକ ଦେଲି, ଆଉ ଏଇଟା ଦେଇଥିଲେ ଏକା ମାଡ଼କେ ମୋ କାମ ସରି ଯାଇ ନ ଥାନ୍ତା ? ପଦ୍ମା କଥା ଆଉ ତାକୁ କହି ପାରିଲି ? ନାଇଁ ନାଇଁ ! ତୁ ଶଳା ଯା, ଅପଯଶିଆଟେ ତୁ, ସେ ଦିନ ସେମେତେ ତୁ ଥିବାରୁ- ଯା-ଯା-ଗଲୁ (ଧକ୍‌କା ଦେଲା)

(ରଥିଆ ପଡ଼ିଯିବା ପରି ହେବା ବେଳକୁ ତେଣୁ ଆସୁଛି ରୋହିଣୀ ।)

ରୋହିଣୀ- ଏଇଟା ଫେର କିଏ ? ରଥିଆ ! ତୁ, ଏଡ଼େ ରସିକ ପଡ଼ିଲୁଣି ?

ରଥିଆ- ନାଇଁ ନାଇଁ (ପଳାଉ ପଳାଉ) ମୁଁ କିଛି ନୁହେଁ- ସେଇ ସେଇ-

ରୋହିଣୀ- ଆଉ କିଏ ପୁରିଆ ? ତୁ ଏଡ଼େ ରସିକ ? କେବେଠଉଁ ମ ? (କସ୍ତା ଦେଖାଇ) କସ୍ତା ଦେଇ ରସିକ ପଣିଆ କରିବୁ ? ହଇରେ ରଇଜଳା ! ଗାଆଁ କଅଣ ନିମୁଣ୍ଡିଆ ହେଇଗଲା- ତୋ ମନେ ମନେ ? କହୁନୁ ? କଥା ବାହାରୁ ନାଇଁକି ତୁଣ୍ଡରୁ ?

ପୁରିଆ- କଅଣ ତେମେ ନାନୀ ! ଏମେତେ କହୁଚ ? ମୁଁ ତ କିଛି ଜାଣି ନାଇଁ- କି କସ୍ତା-ମୋର ତ ନୁହେଁ- ମୁଁ ଦେଇ ନାଇଁ ତ ବିମଳୀ କି । ସେ ମୋତେ-

ରୋହିଣୀ- ସେ ତତେ-ହଁ, ହେଇଥିବ ତ ! ପୋଡ଼ାମୁହାଁ, ମୋତେ ଚିହ୍ନିଚୁଟି ? ମୋ ପାଖରେ ଗାଲୁ, (କାନ ଧରି) ଚାଲ, ଚଉପଢ଼ିକି, ତୋ ରସିକ ପଣିଆଁ ଦଉଚି ଛଡ଼େଇ ଆଜି ।

ପୁରିଆ- ଆରେ, ଆରେ-

ରୋହିଣୀ- ଆରେ ଆରେ ଆରେ ? ମୁଁ ବିମଳୀ ହେଇଚି- ନାଁ ? ଚାଲ୍‌ ମୁହଁ ପୋଡ଼ା ରସିକ ! (ନେଇଗଲା)

ବିମଳୀ- ଭାଉଜ ! କାନଟାକୁ କାଟିବଟି ଟିକିଏ ଥିରି କରି- (ମୁହଁରେ ଲୁଗାଦେଇ ହସି ଚାଲିଗଲା)

 

ଷଷ୍ଠ ଦୃଶ୍ୟ

(କୁଟୀର)

(ଜୟଦେବଙ୍କ ଘର ଭିତରେ ଜୟଦେବ ଗାଧୋଇ ଯାଇଥିବାବେଳେ ଶ୍ରୀକୃଷ୍ଣ ଗୃହାଭ୍ୟାନ୍ତରକୁ ଆସି- ଶୁଣନ୍ତି ଯେ ରନ୍ଧନନିରତା ପଦ୍ମାବତୀ ମନେ ମନେ ଶ୍ରୀଗୀତଗୋବିନ୍ଦ ଗାଉଛନ୍ତି)

ପଦ୍ମା- (ନେପଥ୍ୟେ)                        ଗୀତ

ଅନୀଳ-ତରଳ-କୁବଳୟ-ନୟନେନ,

ତପତି ନ ସା କିଶଳୟ ଶୟନେନ,

ସଖି ! ଯା ରମିତା, ବନମାଳୀନା ।

ବିକଶିତ ସରସିଚ-ଲଳିତ ମୁଖେନ ।

ସ୍ଫୁଟତି ନ ସା ମନସିଜ-ବିଶିଖେନ ।

ଶ୍ରୀକୃଷ୍ଣ- ଆହା ! କି ମଧୁର

ଶ୍ରୀ ଗୀତଗୋବିନ୍ଦ ।

ଭକ୍ତ ମୋର ଦିଏ ଭାଷା

ଭାବ ତାର ଗଢ଼େ ବସି ସତୀ ପଦ୍ମାବତୀ

ସରଳା ଅନ୍ତର-ଭାବେ ଟଳ ମଳ-

ଗାଏ ଗାଥା ମୋ’ର ନିଶି ଦିନ,

ତିଷ୍ଠି ମୁଁ ନ ପାରେ ଦଣ୍ଡେ,

ଭୁଲି ଏ ସଙ୍ଗୀତ । (କ୍ଷଣ ବିଶ୍ରାମ)

ପଦ୍ମ- (ଗାଇଲେ) ଅମୃତ ମଧୁର ମୃଦୁତର ବଚନେନ

ଜ୍ୱଳିତ ନ ସା ମଳୟଜପବନେନ ।

ଶ୍ରୀକୃଷ୍ଣ- କି ସୁନ୍ଦର ! କି ଲଳିତ !

ପଦ୍ମା- (ଗାଇଲେ) ସ୍ଥଳଜଳରୁହ ରୁଚି-କର-ଚରଣେନ

ଲୁଠତି ନ ସା ହିମକର କିରଣେନ ।

ଶ୍ରୀକୃଷ୍ଣ- ସଖି ଯା, ରମିତା ବନମାଳୀନା ।

(ଅଭିଜ୍ଞତାରେ ଗାଇ ହେଇଗଲା)

ପଦ୍ମା- (ଆସି) କିଏ ? ତୁମେ ? ଏଁ ? ଏଡ଼େ ବେଗେ କେମିତି ଫେରିଲ ? ଆରେ ସ୍ନାନ ସାରି ନାହିଁ ପରା ?

ଶ୍ରୀକୃଷ୍ଣ- (ପରିବର୍ତ୍ତିତ ଜୟଦେବ ବେଶରେ ଅର୍ଦ୍ଧ ସ୍ୱଗତ କଣ୍ଠରେ)

ଏଁ, ହଁ ପଦ୍ମା ! ସାରି ନାହିଁ ।

ଯାଉ ଯାଉ ପ୍ରାଚୀ ତୀରେ-

ପଥ ମଧ୍ୟେ-

କବିତାର ଅର୍ଦ୍ଧପଦ ହୋଇଛି ସ୍ମରଣ ।

ଆଣ, ଆଣ ଦେଖି ପାଣ୍ଡୁଲିପି ମୋର ।

ପଦ୍ମା- ଆଶ୍ଚର୍ଯ୍ୟ କବି ତ ! କବିତା, କବିତା କରି ଦିନ ରାତି ମନିଷକୁ- (କହି କହି ଭିତରକୁ ଯାଇ ପାଣ୍ଡୁଲିପି ଆଣି ଦେଲେ) ।

ଶ୍ରୀକୃଷ୍ଣ- ଆହା ! ସରଳା ଭାବିଛି ମନେ, ମୁହିଁ ଜୟଦେବ !

ପଦ୍ମା- ହେଇଟି ନିଅ, ଲେଖନ ଆଉ ତମ ପୋଥି ।

କୃଷ୍ଣ- ଦିଅ, ହଁ ପଦ୍ମା ! ମୁଁ ଲେଖୁ ଲେଖୁ ତୁମେ ଟିକିଏ ଶୀଘ୍ର ରନ୍ଧନ ଶେଷ କର ତ; ବଡ଼ କ୍ଷୁଧା ।

ପଦ୍ମା- ଗାଧୋଇ ନାହିଁ ପରା !

କୃଷ୍ଣ- ଏହିଠାରେ ମନ୍ତ୍ରସ୍ନାନ କରିନେବି, ଅନେକ ବିଳମ୍ବ ହେଲାଣି ।

ପଦ୍ମା- ହଉ ତେବେ- ଚାଲିଗଲେ)

କୃଷ୍ଣ- (ପୋଥି ଫିଟାଇ ଆହା ! ଆହା !

ଭକ୍ତର ଏ ଅମୃତ ଲେଖନୀ !-

ଝରିଅଛି ଯାର ମୁଖୁଁ

ଶ୍ରୀ ଗୀତଗୋବିନ୍ଦ,-

ପାଗଳ କରିଛି ମୋତେ ।

ଆଣିଅଛି ଟାଣି ଗୋଲକରୁ ।

କି ମଧୁର ପଦାବଳୀ-

‘‘ସ୍ଥଳ କମଳ ଗଞ୍ଜନଂ - ମମ ହୃଦୟ ରଞ୍ଜନଂ

ଜନିତ ରତିରଙ୍ଗ ପର ଭାଗଂ

ଭଣ ମସୃଣ ବାଣୀ କରବାଣୀ ଚରଣ ଦ୍ୱୟଂ

ସରସଲସଦଲକ୍ତନ ରାଗଂ

ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ’’-

ଆଉ ପଦ ନ ପାରିଲା ଲେଖି !

ଭାବ ଗଦଗଦେ ତନୁ ହେଲା ଲୋମାଞ୍ଚିତ,

ବହେ ଅଶ୍ରୁଧାରା,

ଲେଖନୀ ହୋଇଲା ସ୍ତବ୍‌ଧ,

କିପରି ଲେଖିବ ଏବେ:-

‘‘ଦେହି ପଦ ପଲ୍ଲବ ମୁଦାରଂ ?’’

କିନ୍ତୁ, ନ ଜାଣଇଁ କବି

ଅନ୍ତରେ ଯେ ରହି ତା’ର

ସୂଚାଏ ମୁଁ ପଦର ଯୋଜନ ।

ଭକ୍ତି ହିୟା, ନ ପାରିଛି ସହି ତାର ପ୍ରଭୁର ଦୀନତା-

ଦ୍ୱାପରର ସତ୍ୟ ଯେ ଘଟଣା ।

ଭକ୍ତରେ !

ସ୍ୱହସ୍ତରେ ତେଣୁ ଆଜି,

ଗାଥା ତୋର କରିବି ପୂରଣ ।

ଲେଖି:-

‘‘ଦେହି ପଦପଲ୍ଲବମୁଦାରଂ’’

(ପଦ୍ମା ଢାଳେ ପାଣି ନେଇ ଆସି)

ପଦ୍ମା- ମ, ପୋଥି ଲେଖା ତ ସରିନାହିଁ, ମୁଁ ପରା ତେଣେ-

କୃଷ୍ଣ- ହଁ, ସରିଲାଣି ମୋର ।

ପଦ୍ମା- ତେବେ-

କୃଷ୍ଣ- (ଢାଳ ମାଗି ଧରି) ପୋଥି ରଖି ଦିଅ ।

(ପଦ୍ମା ପୋଥି ନେଇ ଚାଲିଗଲେ)

(ପଦ୍ମା ପଥକୁ ଚାହିଁ) ସରଳା ପଦ୍ମାର ପାକ ! କି ସୌଭାଗ୍ୟ ଆଜି !

 

ସପ୍ତମ ଦୃଶ୍ୟ

(ପଥ)

(ପରାଶର ଢାଳେ ପାଣି ଓ ଲୁଗା ହାତରେ ଧରି ଆସୁଛନ୍ତି)

ପରାଶର-

(ଗୀତ)

ରତି ସୁଖ ସାରେ ଗତମଭିସାରେ ମଦନ ମନୋହର ବେଶଂ

ନ କୁରୁ ନିତମ୍ବିନି, ଗମନ ବିଳମ୍ବନ ମନୁସର ତଂ ହୃଦୟେଶଂ

ଧୀର ସମୀରେ, ଯମୁନା ତୀରେ, ବସତି ବନେ ବନମାଳୀ

ପୀନ ପୟୋଧର ପରିଶର-ମର୍ଦ୍ଦନ-ଚଞ୍ଚଳ କର-ଯୁଗଶାଳୀ ।

ନାମ-ସମେତଂ କୃତ-ସଙ୍କେତଂ ବାଦୟତେ ମୃଦୁ ବେଣୁମ୍‌ ।

ବହୁ ମନୁତେ ନନୁ ତେ ତନୁ-ସଙ୍ଗତ-ପବନ-ଚଳିତମପି ରେଣୁ

ପତତି ପତତ୍ରେ ବିଚଳିତ ପତ୍ରେ ଶଙ୍କିତ ଭବଦୁପଯାନମ୍‌

ରଚୟିତା ଶୟନଂ ସଚକିତୁ ନୟନଂପଶ୍ୟତି ତବ ପନ୍ଥାନମ୍‌ ।୧୦।

(ଆଉ ପଦ ସ୍ମରଣ ହେଲା ନାହିଁ, ପଛରେ ଜୟଦେବ ଆସୁଛନ୍ତି ମନେ କରି ଡାକିଲେ) ତା’ପରେ ? ପଦଗୁଡ଼ିକ କଅଣ କବି ! ଠିକ୍‌ ସ୍ମରଣ ହେଉନାହିଁ ମୋର । (ଚାହିଁ ଦେଖିଲେ କେହି ନାହିଁ ତାଙ୍କ ପଛରେ) ଓଃ ! କେହି ନାହିଁ ! ଜୟଦେବ କାହାନ୍ତି ତେବେ ? ଗାଧୋଇସାରି ଆସୁ ଆସୁ- (ପଛକୁ ଫେରିବାକୁ ବସିଲେ । ଏତିକିବେଳେ ଜୟଦେବ ଆସିଲେ, ଜୟଦେବଙ୍କୁ ଦେଖି ପରାଶର ପଚାରିଲେ) ଜୟଦେବ !

ଜୟ- ହଁ ପରାଶର, ଆସୁ ଆସୁ ମୋର ଟିକିଏ ଉଛୁର ହେଇଗଲା ।

ପରା- ତୁମେ ସନ୍ଧ୍ୟା ସାରି କୂଳକୁ ଆସିଥିଲ ଯେ ! ମୁଁ ମନେକଲି ତୁମେ ମୋ ପଛେ ପଛେ ଆସୁଛ । କିନ୍ତୁ-

ଜୟ- ହଁ ପରାଶର କୂଳକୁ ଉଠିଥିଲି । କିନ୍ତୁ । ହଠାତ୍‌-

ପରା- କଅଣ ହେଲା ତୁମର ?

ଜୟ -ନାଁ, ମୋର ତ କିଛି ନୁହେଁ ।

ପରା- ତେବେ ?

ଜୟ- ସୂର୍ଯ୍ୟ କିରଣ ସଂପାତରେ ଗଙ୍ଗାର ଦୃଶ୍ୟ ! ସେ ଲୋଭ ଏଡ଼ି ପାରିଲି ନାହିଁ ପରାଶର ! ଯେମିତି କେତେ ଜଳକୁମାରୀ ଆଖି ମେଲାଇ ତାର ବିଶାଳ କୋଳରେ ଥରେ ଥରେ ଚାହୁଁଛନ୍ତି ! ସୁନ୍ଦର ଝିଲି ମିଲି ଆଖି ! ଗଙ୍ଗାର କି ମାଧୁରୀ !

ପରା- ଦୃଶ୍ୟ ଦେଖି ଭୁଲିଯାଅନାହିଁ ଭାବୁକ କବି ! ଗଙ୍ଗାନୁହେଁ ପ୍ରାଚୀ ।

ଜୟ- ଭୁଲ କହୁଚ ପରାଶର ! କିମ୍ବା ତୁମେ ବୋଧହୁଏ ଜାଣ ନାହିଁ ପ୍ରାଚୀର ମହାତ୍ମ୍ୟ । କେବେ ପଦ୍ମପୁରାଣ ପଢ଼ିଚ ? ତ୍ରିବେଣୀ ତୀର୍ଥ ଆଉ କାହିଁକି ଏଇଟାକୁ କହନ୍ତି ? ଏଇ ପ୍ରାଚୀ ତ ଗଙ୍ଗା । ପ୍ରାଚୀ ସ୍ନାନରେ ଗଙ୍ଗାସ୍ନାନ ଫଳ ।

ପରା- ଓ, ସେଇଥିପାଇଁ ଏଠି ଅକ୍ଷୟ ତୃତୀୟା ଦିନ ଗଙ୍ଗା ମେଳା ହୁଏ ? ସେଇଟା ଗୋଟାଏ ଏମିତି ସାଧାରଣ ମେଳା ବୋଲି ଆଜି ପର୍ଯ୍ୟନ୍ତ ମୋର ଧାରଣା ଥିଲା ।

ଜୟ- ନାଁ, ନା, କେବଳ ଏଇ ତୀର୍ଥର ଗୌରବ ସ୍ମରଣ ପାଇଁ ଏ ମେଳାର ଆରମ୍ଭ । ଆଉ ଅନ୍ତର୍ବେଦୀ ତ ଦେଖିଥିବ । ବଡ଼ ପବିତ୍ର ସ୍ଥାନ ସେ । ପଦ୍ମପୁରାଣରେ ପ୍ରାଚୀ ମହାତ୍ମ୍ୟ ପଢ଼ିବ । ସେଥିରେ ସ୍ପଷ୍ଟ ଲେଖାଅଛି ଯେ ଅକ୍ଷୟ ତୃତୀୟା ଦିନ ଗଙ୍ଗା ଏଇ ଆମର ପ୍ରାଚୀରେ ପଦ ପ୍ରକ୍ଷାଳନ କରନ୍ତି । ତେଣୁ ପ୍ରାଚୀର ଜଳ, ଗଙ୍ଗା ପରି ପବିତ୍ର । ମୋର ସେ ଋଷିବାକ୍ୟ ଠିକ୍‌ ସ୍ମରଣ ହେଉ ନାହିଁ ।

ପରା- ଉତ୍ତମ ! ଏଇଟା ଗାଆଁର ଦାଣ୍ଡ ଯେ ! ମନେ ନାହିଁ ? ତୁମେ ସ୍ନାନ ସାରି ଘରକୁ ଯାଇ ଭୋଜନ କଲେ, ପଦ୍ମାବତୀ ଜଳଗ୍ରହଣ କରିବେ ।

ଜୟ- ଓ, ବାସ୍ତବିକ, ମୁଁ ଭୁଲି ଯାଇଥିଲି ।

ପରା- ମନ୍ଦ ନୁହେଁ । ତୁମର ସାମାନ୍ୟ ଭ୍ରମରେ ଯେ ଗୋଟିଏ ପ୍ରାଣୀ ତେଣେ ଉପବାସରେ ମରିବ । ଆସ । (ଚାଲିଗଲେ)

 

 

 

ଅଷ୍ଟମ ଦୃଶ୍ୟ

(ଜୟଦେବଙ୍କ କୁଟୀର)

(ଭିତରୁ ଉଚ୍ଛିଷ୍ଟ ଥାଳୀ ଘେନି ଘରର ବାରଣ୍ଡାରେ ରଖି ପଦ୍ମା, କବାଟ ଆଉଜାଇ ଦେଇ ଆସିଲେ, ବସି ଖାଇବାର ଉପକ୍ରମ କରୁଥିଲେ ।)

ଭିତରୁ- ଯାଅ, ତୁମେ ଭୋଜନ କର ପଦ୍ମା ! ଅନେକ ବିଳମ୍ବ ହେଲାଣି, ମୁଁ ଟିକିଏ ବିଶ୍ରାମ କରେ ।

(ପଦ୍ମା ଭୋଜନରେ ବସିଲେ)

ଜୟ- (ପ୍ରବେଶ) -ପଦ୍ମା !

ପଦ୍ମା- (ଚମକି ପଡ଼ିଲେ) କିଏ ?

ଜୟ- (ଭିତରକୁ ଆସି) ମଠା ଖଣ୍ଡ ଦିଅ ତ । ଓଃ, ତୁମେ ଖାଇ ବସିଛ ? ଆଛା ହଉ । କୋଉଠି ଅଛି କୁହନାଁ, ମୁଁ ନେଇ ଆସେଁ ।

ପଦ୍ମା- ଏଁ ? (ଚାହିଁ ରହିଲେ ତାଟକା ହୋଇ)

ଜୟ- କଅଣ ପଦ୍ମା ! ଅନ୍ନଗୁଣ୍ଡାଟି ଧରି ଏମିତି ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ ରହିଲ ଯେ !

ପଦ୍ମା- ପ୍ରଭୁ -

ଜୟ- କଅଣ ପଦ୍ମା ?

ପଦ୍ମା- ଏ କି କପଟ ଆଜି ?

ପଦ୍ମା- ନାଁ, ନାଁ, ପାପ ! ତୁମେ ଯେ ପଦ୍ମାର ପ୍ରଭୁ, କପଟ ତ ସେଠି ସମ୍ଭବ ନୁହେଁ । ମୁଁ କଅଣ ସ୍ୱପ୍ନ ଦେଖିଲି ତେବେ ? ଚେଇଁ ରହି କଅଣ ମନୁଷ୍ୟ ସ୍ୱପ୍ନ ଦେଖେ ?

ଜୟ- ମୁଁ ତ ତୁମ କଥାରୁ କିଛି ବୁଝି ପାରୁନାହିଁ ପଦ୍ମା !

ପଦ୍ମା- (ସ୍ୱଗତଃ) ମୁଁ ଚେଇଁଛି ନା ସ୍ୱପ୍ନ ଦେଖୁଛି, ଏ ସବୁ କଅଣ ?

ଜୟ- ହାତରେ ଅନ୍ନଗୁଣ୍ଡାଟି ଧରି କାଠ ପରି ଚାହିଁ ରହିଲ ଯେ ପଦ୍ମା, କଥାଟା କଅଣ ?

ପଦ୍ମା- ପ୍ରଭୁ ! ଏ କି ମାୟା ତୁମ୍ଭର ?

ଜୟ- ମାୟା !

ପଦ୍ମା- ଗାଧୋଇ ଯାଉ ଯାଉ ବାଟରୁ ଫେରି ଆସି ମୋତେ ଖେଦା ଆଉ ଲେଖନ ମାଗିଲ । କହିଲ କଅଣନାଁ- ମଝି ବାଟରେ ପଦ ସ୍ମରଣ ହେବାରୁ ତରତର ହୋଇ ଫେରି ଆସିଛି ।

ଜୟ- ମୁଁ ! ଫେରି ଆସିଥିଲି ? ଏ କଅଣ ତୁମେ କହୁଚ ପଦ୍ମା !

ପଦ୍ମା- ଖାଲି ସେତିକି ତ ନୁହେଁ, ତା’ପରେ ପାଦ ପୂରଣ କରି ସାରି କ୍ଷୁଧା ହେଉଛି ବୋଲି କହି, ଘରେ ମନ୍ତ୍ରସ୍ନାନ କରି ଭୋଜନ ପରେ ବିଶ୍ରାମ ନେବାକୁ-

ଜୟ- ଏଁ ଭୋଜନ ? ମୁଁ କରିଛି ? ମୁଁ ଫେରି ଆସି ଅର୍ଦ୍ଧପଦପୂରଣ କରିଛି ? ପଦ୍ମା ! ପଦ୍ମା ! ତୁମେ ଏ କଅଣ ସ୍ୱପ୍ନର କଥା କହୁଚ ! ବିଶ୍ରାମ ? କେଉଁଠି ?

ପଦ୍ମା- (ଉଠି) ଏଇ ଘରେ- (ଯାଇ) ଏଇ ଘରେ !

ଜୟ- ଏଇ ଘରେ ! ଏ କଅଣ ? କୋଟିଏ ପାରିଜାତର ଗନ୍ଧ ! ପଦ୍ମା ! ପଦ୍ମା ! ଦେଖି ପୋଥି !

ପଦ୍ମା- (ଘର ଭିତରକୁ ଯାଇ) ନଉଚି ।

ଜୟ- (ବାହାରକୁ ଆସି) ଚେଇଁଥାଇ ଲୋକେ ସ୍ୱପ୍ନ ଦେଖନ୍ତି କେବେ ? ନାଇଁ ତ ! ମୁଁ ତ ସମ୍ପୂର୍ଣ୍ଣ ଜାଗ୍ରତ, କିନ୍ତୁ ଏ ସବୁ କଅଣ ?

ପଦ୍ମା- ହେଇଟି, ନିଅ ପୋଥି ।

ଜୟ- (ଦେଖି ପଢ଼ି) । ସ୍ମର ଗରଳ ଖଣ୍ଡନଂ

ମମ ଶିରସି ମଣ୍ଡନଂ

ଦେହି ପଦ ପଲ୍ଲବ ମୁଦାରଂ

ଦେହି ପଦ ପଲ୍ଲବ ମୁଦାରଂ ! ପଦ୍ମା ! ସହସ୍ର ଭାବନାର ଛାୟା ଘେରାଇ ଯାହା ମୁଁ ମନରେ ଗୁପ୍ତ ରଖିଥିଲି, କିଏ ଲେଖିଲା ? କିଏ ସେ ଲେଖିଲା ତାକୁ ? ଏ କଅଣ ମନୁଷ୍ୟର କାର୍ଯ୍ୟ ! ହେ ଗୋବିନ୍ଦ ! ଲେଖିବି, ଲେଖିବି ବୋଲି ଯାହା ଲେଖିବାକୁ ଶଏଥର ମୋର ଲେଖନ ଥରି ଉଠୁଛି, ସେଇ ଅପ୍ରକାଶିତ ମନକଥା ମୋର, କିଏ-? କିଏ ଲେଖିଛି ? ଏ କବିତାର ଅର୍ଦ୍ଧପଦ ପୂରଣ କରିଛି କିଏ ? ପଦ୍ମା, -ନାଁ ନାଁ ତୁମେ, ଗୋବିନ୍ଦ ! ତୁମ ଛଡ଼ା କାହାର ଆଉ ଏ ସାଧ୍ୟ ? ପଦ୍ମା ! ପଦ୍ମା !

ମୁଁ ସବୁ ବୁଝିଲି,

ମହା ଭାଗ୍ୟବତୀ ତୁମେ,

ପତ୍ନୀ ନୁହଁ ମୋର ପୂଜ୍ୟା-

ପରମ ଆରାଧ୍ୟା, -ଦେବୀ-

ପଦ୍ମା- ପ୍ରଭୁ ! ଦେବତା ! ଏ କଅଣ କହୁଚ ?

ଦାସୀ ମୁଁ, କ୍ଷମାକର ମୋତେ ।

ନ ଜାଣି ଅପରାଧ ଅର୍ଜିଛି ।

ସ୍ୱାମୀ ପଦରେ ନୈବେଦ୍ୟ ନ କରି,

ମୁଁ ନିଜେ-

ଜୟ- ପୂଣ୍ୟଫଳ, ପୂଣ୍ୟଫଳ ତୁମର । ଧନ୍ୟ ତୁମେ, ତୁମେ ଧନ୍ୟ ! ଦେବୀ ତୁମେ, ଜୟଦେବର ଭାଗ୍ୟରେ ଯାହା କେବଳ ବିଡ଼ମ୍ବନା, ତୁମ ପାଖରେ ସହଜରେ ସେ ଧରା ପଡ଼ିଛି । ତୁମେ ସାକ୍ଷାତ ଦର୍ଶନ ପାଇଛ ତାର । ଦୁଃଖ କାହିଁକି ପଦ୍ମା ? ନାଇଁ, ନାଇଁ, ଆଣ ଗୋବିନ୍ଦଙ୍କୁ ଯେଉଁ ଅନ୍ନ ପରଷିଲ, କାହିଁ ? କଅଣ କଲ ସେ ମହାପ୍ରସାଦ ?

(ବାହାରିଲେ ଆଣିବାକୁ)

ପଦ୍ମା- (ବାଧାଦେଇ) ପ୍ରଭୁ !

ଜୟ- କୁଣ୍ଠା କାହିଁକି ପଦ୍ମା ! ବାଧା ଦିଅ ନାହିଁ ମୋତେ- ଉଚ୍ଛିଷ୍ଟ ବୋଲି ମହାପ୍ରସାଦ ଦ୍ରୋହୀ ହୁଅନାହିଁ ସତୀ ! ତୁମେ ପରମ ସୌଭାଗ୍ୟବତୀ ! ବୁଝୁନାହଁ ? ଦେବତା ଯାହାର କଣିକା ମାତ୍ର ଟାକି ବସେ, ସେ ମହାପ୍ରସାଦ କି କେବେ ଅଇଁଠା ହୋଇପାରେ ? କୈବଲ୍ୟକୁ କେହି କେବେ ଉଚ୍ଛିଷ୍ଟ କହେ ? ଛି, ଛି, ପାପ କଥା ମୁହଁରେ ଧରନାହିଁ ସତୀ ।

ପଦ୍ମା- ପ୍ରଭୁ ! ପ୍ରଭୁ !

ଜୟ- ବାଧା ଦିଅନାହିଁ ପଦ୍ମା !

ବହୁ ଭାଗ୍ୟର ଫଳରୁ ପାଇଛି

ଏ ମହାପ୍ରସାଦ ।

ଜୀବନର ଏ ସୁଦିନରେ

ତୁମେ, -ତୁମେ ଦୁଃଖ କର ନାହିଁ ଦେବୀ ?

ଆସ, ଗାଅ ।

ଆନନ୍ଦ ସାଗରରେ ଆଜି

ପୂର୍ଣ୍ଣିମାର ଜୁଆର ଖେଳି ଉଠେ ।

ଗାଅ ପଦ୍ମା ! ଗାଅ ମୋ ସଙ୍ଗରେ- (ଗାଇଲେ-)

ଅଭିନବ ଜଳଧର ସୁନ୍ଦର, ଧୃତ ମନ୍ଦର

ଶ୍ରୀମୁଖ ଚନ୍ଦ୍ରଚକୋର-ଜୟ ଜୟ ଦେବହରେ ।୧।

ତବ ଚରଣେ ପ୍ରଣତାବୟମିତି ଭାବୟ,

କୁରୁକୁଶଳଂ ପ୍ରଣତେଷୁ-ଜୟ ଜୟ ଦେବହରେ ।୨।

ଶ୍ରୀ ଜୟଦେବ କବେରିଦଂ, କୁରୁତେ ମୁଦଂ,

ମଙ୍ଗଳ ମୁଜ୍ଜଳ ଗୀତି, ଜୟ ଜୟ ଦେବହରେ ।୩।

(ଅନ୍ନଥାଳି ମଥା ଉପରକୁ ଟେକି, ମୁଣ୍ଡ ନୁଆଇଁଲେ ପଦ୍ମା, କରଯୋଡ଼ି ଶାଶ୍ରୁ ନୟନରେ ଦଣ୍ଡାୟମାନା ।)

 

ଜୟଦେବ

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(କଳାହାଟ ଦ୍ୱାର-ଜୟଦେବ ପଦ୍ମା ଗାଉଥିଲେ)

ଗୀତ

ବଦସି ଯଦି କିଞ୍ଚିଦପି ଦନ୍ତ-ରୁଚି-କୌମୁଦୀ

ହରିତ ଦର-ତିମିରମତିଘୋରମ୍

ସ୍ଫୁରଦୁଧର-ସୀଧବେ ତବ ବଦନ-ଚନ୍ଦ୍ରମା

ରୋଚୟତି ଲୋଚନ ଚକୋରମ୍ ।

ପ୍ରିୟେ ଚାରୁଶୀଳେ ମୁଞ୍ଚ ମୟି ମାନମନିଦାନଂ-

ସପଦ୍ରିମ୍‌ଦନାନଳୋ ଦହତି ମମ ମାନସଂ

ଦେହି ମୁଖ-କମଳ-ମଧୁପାନମ୍,

ସ୍ଥଳ-କମଳ-ଗଞ୍ଜନଂ ମମ ହୃଦୟ-ରଞ୍ଜନଂ

ଜନିତ-ରତି-ରଙ୍ଗ-ପରଭାଗମ୍

ଭଣ ମସୃଣ-ବାଣି କରବାଣି ଚରଣ ଦ୍ୱୟଂ

ସରସ-ଲୁସଦଲକ୍ତୁକରାଗମ୍

ସ୍ମର ଗରଳ ଖଣ୍ଡନମ୍-ମମ ଶିରସି ମଣ୍ଡନମ୍

ଦେହି ପଦ ପଲ୍ଲବ ମୁଦାରମ୍

ଜ୍ୱଳତି-ମିୟ ଦାରୁଣୋ ମଦନ-କଦନାନଳୋ

ହରତୁ ତଦୁପାହିତ-ବିକାରମ୍

ଇତି ଚଟୁଳ-ଚାଟୁ-ପଟୁ ଚାରୁ ମୃର-ବୈରିଣୋ

ରାଧିକାମଧି ବଚନ ଜାତମ୍ ।

ଜୟତି ପଦ୍ମାବୀରମଣ ଜୟଦେବ କବି

ଭାରତି ଭଣିତ ମତିଶାତ୍‌ମ୍ ।

(ଜଣେ ବୋଝିଆ ଆସି ଉଣ୍ଡି ଦେଇଗଲା, କହୁ କହୁ)

ବୋ:- ଝପର ଝାଇଁ ଝପର ଝାଇଁ, ଝପର ଝାଇଁ, ବେହିପୋ, ଝାଞ୍ଜ ବାଜୁଥିବ, ଟେରା ପଡ଼ିଥିବ କି ଆଜି ଦିନକଯାକ ? ଛେକ ବୁହା ହେଲାଣି ଦୁଇ ଘଡ଼ି ହବ, ବେହିପୋ ଧୂପ ଉଠିବାକୁ ନାହିଁ, ବଡ଼ପଣ୍ଡା କଅଣ ଢୁଳେଇ ପଡ଼ିଲେଣି କି ଭାଙ୍ଗ ନିଶାରେ ?

ଦେଉଳକରଣ- (ଆସି ଠିଆହେଲେ । ଜୟଦେବ ଓ ପଦ୍ମାବତୀଙ୍କୁ ଖାଲି ଗୋଡ଼ଠୁ ମୁଣ୍ଡଯାଏ ଚାହିଁ ରହିଥାନ୍ତି ସେ)

[ଜୟଦେବ ଓ ପଦ୍ମା ପୂର୍ବବତ୍ ଆଖିମୁଦି ଗାଉଥିଲେ, ଗୀତ ଶେଷକରି ପ୍ରଣାମ କଲେ]

ଜୟ- (ଦେଉଳକରଣଙ୍କୁ) ଆପଣଙ୍କ ଘର ଶ୍ରୀକ୍ଷେତ୍ରରେ ?

ଦେ: କ-ହଁ ।

ଜୟ- ପ୍ରଭୁଙ୍କ ଦ୍ୱାର ଫିଟିବ କେତେବେଳେ ? ଆଜି ମଠ ହେଇଚି କାହିଁକି ?

ଦେ: କ- ଏଇ ଧୂପ ବଢ଼ିଲେ ଆପଣମାନେ ଆର ପାଖରେ ବୁଲି ଯାଇ ଦର୍ଶନ କରିବେ । ପାଣି ପଡ଼ୁଥିବ, ଦେଖିକରି ଯିବେ ।

ଜୟ- ଆର ଦ୍ୱାରବାଟେ ଛାଡ଼ ଅଛି ?

ଦେ: କ- ଦ୍ୱାରୀକି କହିବେ ଦେଉଳକରଣ କହିଲେ ବୋଲି ।

ଜୟ- ଆପଣ ପ୍ରଭୁଙ୍କ ଦେଉଳକରଣ ? ଭାଗ୍ୟବାନ୍ ଭକ୍ତ ଆପଣ ।

ଦେ: କ- ଛେକ ଉଠାରେ ପାଣିତିଆ !

ଦେ: କ- ହେଇଟି ଧୂପ ବଢ଼ିଲାଣି । ଯାଆନ୍ତୁ ସେଇ ବାଟେ ।

ଜୟ- ଆଜ୍ଞା, (ପଦ୍ମାବତୀଙ୍କ ପ୍ରତି) ଆସ (ପ୍ରସ୍ଥାନ)

ଦେ: କ- ଇଏ କଅଣ ସେଇ ଜୟଦେବ !

ବଡ଼ପଣ୍ଡା- (ମନ୍ଦିର ଭିତରୁ ଆସିଲେ) ମତେ ତଲବ କରିଥିଲେ ଦେଉଳକରଣେ ?

ଦେ: କ- (ଅନ୍ୟମନସ୍କ ଭାବେ) ହଁ ଯେ-ଉଁ-

ବ: ପ- କେତେ କାର୍ଯ୍ୟରେ ?

ଦେ: କ- ଧୂପ ଏତେ ମଠ ଆଜିକାଲି କାହିଁକି ହଉଚି ? ମହାରାଜା ରାଗି ତୋନାଲ୍ ମୋନାଲ୍ ଆମ ଉପରେ ସବୁ ।

ବ: ପ- ମୁଁ କଅଣ କରିବି, ମୋର ଦୋଷ କଅଣ ? ମୁଁ ଦିଅଁଙ୍କ ପୂଜା ଛାଡ଼ିବାକୁ ବସିଲାଣି ଆଜ୍ଞା ! ଏବେ କେଇ ଦିନ ହେଲା କାହିଁକି ଯେ ଏମେତେ ହଉଚି ମୁଁ ତ ନିଜେ ବୁଝିପାରୁ ନାହିଁ କଅଣ ହଉଚି ?

ଦେ: କ- କଅଣ ହଉଚି ?

ବ: ପ- କଅଣ ଆଉ କହିବି ଆଜ୍ଞା ! ପୂଜା ନୈବେଦ୍ୟ ବେଳେ ପାଣି ଚଳୁ ଧଇଲାବେଳକୁ ଦିଅଁ ବରାବର ଚଳୁରେ ଦର୍ଶନ ଦିଅନ୍ତି, ତେବେ ଯାଇ ପୂଜା ବଢ଼େ । ଏବେ କେତେ ଦିନ ହେବ କଅଣ ଯେ ହଉଛି, ମୁଁ ତ ଚଳୁ ଧରି ବସିଚି, ଦର୍ଶନ ମିଳୁନାହିଁ । କିମିତି ଭୋଗ ବଢ଼େଇବି ?

ଦେ: କ- ଏ କି କଥାଗୁରା ତୁମେ କହୁଛ ଯେ, ଶାଢ଼ୀକି ପାଉନାଇଁ କି ପେଡ଼ିକି ପାଉନାହିଁ ? ଦିଅଁ ଦର୍ଶନ ଦଉନାହାନ୍ତି, ମହାରାଜା ଏକଥା ସତ ମଣିବେ ? ସବୁଦିନ ତ ଦଉଥିଲେ, ଆଉ ଏବେ-

ବ: ପ- ମୁଣ୍ଡ କାଟ ପଛେ କରନ୍ତୁ ମହାରାଜା, ମୁଁ ଆଉ ମିଛକଥା କହିପାରିବି ନାହିଁ ।

ଦେ: କ- ଫେର୍ ଧୂପ ବଢ଼ୁଛି କେମିତି ?

ବ: ପ- ଯେତେବେଳେ ଦର୍ଶନମିଳୁଚି । ଅନୁସରଣରେ-ରହୁଚି, ଏଣେ ଧୂପ ମଠ ଦଉଚି ।

ଦେ: କ- କେଜାଣି ତମର କିଛି ଗଲ୍‌ତି ଥିବ, ଶୁଦ୍ଧ ମୃତ ହୋଇ ଦେଉଳକୁ ଆସୁଚ ଟି ?

ବ: ପ- କି କଥା ଯେ କହିବାହଉଚି ଆଜ୍ଞା ?

ଦେ: କ- ଆଉ ତେବେ କାହିଁକି ଏତେ ମଠ ?

ବ: ପ- ମୋ ଜାଣିବାରେ ଆଉ ତ କିଛି ନାହିଁ । ଯେଉଁ ଦିନ ଜୟଦେବ ଗୋସେଇଁ ଆଉ ତାଙ୍କ ସ୍ତ୍ରୀ ଆସି ଚନ୍ନ ଅର୍ଗଳୀ ପାଖେ ଗୀତ ଗାଉଛନ୍ତି ସେଇଦିନ ଭୋଗବେଳେ-

ଦେ: କ- ଏ ଗୋଟେ କଥା ? ବଡ଼ ଦେଉଳରେ କଅଣ ତେବେ କେହି ଗୀତ ଗାଇବେ ନାହିଁ, ଶ୍ଲୋକ ପଢ଼ିବେ ନାହିଁ ? ଦିଅଁ କଅଣ ଉଭେଇ ଯାଉଛନ୍ତି ଗୀତ ଶୁଣି ? ତୁମେ ଅନ୍ୟମନସ୍କ ହେଉଥିବ, ତାଙ୍କ ଗୀତରେ କି କଅଣ ?

ବ: ପ- ମୋ ଅନ୍ୟମନସ୍କ ସାଙ୍ଗେ କଅଣ ଅଛି ! ଆଜ୍ଞା ଦିଅଁ ପରା ଦର୍ଶନ ଦଉନାହାନ୍ତି, ଚଳୁ ଭିତରେ ! ଆପଣ ଦିନେ କୋଉ ଦିନ ଆସି କଥାଟାକୁ ଟିକେ ପରିତାଳ କଲେ ।

ଦେ: କ- ହଁ, ସେଇ ଦିହେଁ ତ ଆଜି ବି ଗାଉଥିଲେ, ଏଇନେ ଗଲେ ।

ବ: ପ- ମୁଁ ଦେଖିପାରି ନାହିଁ ତାଙ୍କୁ ! ତେଣେ ତ ଭିତର ପଟେ ଥାଏଁ-ଲୋକେ ସବୁ କହୁଛନ୍ତି-

ଦେ: କ- ହଉ, ହଉ, ତୁମେ ଚାଲ । ଛାମୁରେ ସେଇଆ ଜଣା କରି ଆସିବ । ମୁଁ ଫେର୍ କାଲିପ’ରି ଆସି, କଥାଟାର ତଥ୍ୟ ବୁଝିନେବି ।

ବ: ପ- ଚାଲିବା ହଉ, ସତ କହିବା ପାଇଁ ଡର କଅଣ ? କାଳିଆ ଜାଣେ, ମୋ କଥା ସତ କି ମିଛ ।

(ଯାଉ ଯାଉ କହି କହି ଗଲେ)

 

ଦ୍ୱିତୀୟ ଦୃଶ୍ୟ

[ପୋଥି ଲେଖନୀ ସହ ନିବିଷ୍ଟମନା ଜୟଦେବ ଶ୍ରୀ ଗୀତଗୋବିନ୍ଦ ଲେଖୁଥିଲେ]

(ଲେଖନୀ ଶବ୍ଦ)

ଜୟ- (ଲେଖୁଥିଲେ ପଦେ ପଦେ, ନିଜେ ପଢ଼ୁଥିଲେ ତାକୁ ଥରେ ଥରେ)

ରାଧାବଦନ-ବିଲୋକନ-ବିକସିତ-ବିବିଧ-ବିକାର-ବିଭଗମ୍ ।

ଜଳନିଧିମିବ-ବିଧୁମଣ୍ଡଳ-ଦର୍ଶନ-ତରଳିତ-ତୁଙ୍ଗ-ତରଙ୍ଗମ୍ ।

ହରିମେକ ରସଂ, ଚିରମଭିଳଷିତ ବିଳାସଂ ।

ସା ଦଦର୍ଶ ଗୁରୁହର୍ଷ ବଶଂମ୍ବଦ ବଦନମନଙ୍ଗ ବିକାଶମ୍ ।।

ହାରମମଳ ତର-ତାରମୂରମିଦଧତଂ ପରିଲମ୍ୱ୍ୟ ଦିଦୁରମ୍ ।

ସ୍ଫୁଟତରଫେନ-କଦମ୍ବିକରମ୍ବିତମବ ଯମୁନା ଜଳ-ପୁରମ୍ ।

ଶ୍ୟାମଳ-ମୃଦଳ-କଳେ ବର-ମଣ୍ଡଳ ମଧିଗତ-ଗୌର ଦୁକୁଳମ୍

ନୀଳ ନଳିନମିବ-ପୀତ ପରାଗ ପଟଳ-ଭର ବଳୟିତ-ମୂଳମ୍ ।।

ତରଳ ଦୂରଞ୍ଚଳ-ଚଳନ-ମନୋହର-ବଦନଜନିତ ରତି ରାଗମ୍ ।

ସ୍ଫୁଟ-କମୋଳୋଦର- ଖେଳିତ ଖଞ୍ଜନ ଯୁଗମିବ ଶରଦି ତଡ଼ାଗମ୍

(କଥାରେ ପଢ଼ିବା ପରି କରି, ପୁଣି ସ୍ୱର ଯୋଜନା କରୁଥିଲେ, ସେତିକି ବେଳେ କହି ହେବନାହିଁ, କେଉଁ ଦିଗରୁ ଗୋଟିଏ ଲଳିତ କଣ୍ଠ ଅପର ପାଦ ଗାଇଦେଲା । ଜୟଦେବ ତଟସ୍ଥ ହୋଇ ଚାହିଁ ରହିଲେ, ବୁଝି ପାରିଲେ ନାହିଁ କିଏସେ ଗାଏ-)

ଜୟଦେବ- (ସ୍ୱଗତ) କିଏ !

ଭାବନାର ଧାରା ମୋର

ଉଛୁଳଇ କା’ର କମ କଣ୍ଠେ ?

କିଏ ଗାଏ ? କିଏ ଗାଏ-

ମୋର ମନ-କଥା ?

ପରାଶର ! ପରାଶର !

ପରାଶର- (ପହଞ୍ଚି) ମୋତେ ଡାକିଲ ?

ଜୟଦେବ- ହଁ, ହଁ, ପରାଶର !

ମୁଁ କିଛି ବୁଝି ପାରୁନାହିଁ,

ସବୁ ଯେମିତି ମୋର ଗଣ୍ଡଗୋଳ ହୋଇଗଲା,

ଏଇ ଦେଖ,

ଲେଖିଛି ମୁଁ ପ୍ରଥମ ଚରଣ ମାତ୍ର

ଶ୍ରୀ ଗୀତଗୋବିନ୍ଦ

ଏକାଦଶ ସର୍ଗ, ତୃତୀୟ ସଙ୍ଗୀତ;

କିନ୍ତୁ, କି ଆଶ୍ଚର୍ଯ୍ୟ ପରାଶର !

ଏହାପରେ, ଯେ ଚରଣ-

ଲେଖିବାକୁ ଥିଲା ମୋର ମନେ,

ଠିକ୍ ସେହି ପାଦ-ସେହି ପଂକ୍ତି-

କିଏ, ଗାଏ !

ଅକ୍ଷରେ, ଅକ୍ଷରେ ଯାଏ ମିଳି

ମୋ ଭାବନା ତୁଲେ !

କିଏ ? କିଏ ଗାଏ ମନର ସଙ୍ଗୀତ ମୋର ?

ପରାଶର- (ହସି) ଭ୍ରମ !

କବି ! ଏ ତୁମ୍ଭର ଚିତ୍ତର ବିକାର ମାତ୍ର,

ନୋହିଲେ-

ଯେ ସ୍ୱର ଝଙ୍କାର ଉଠେ ହୃଦୟେ ତୁମ୍ଭର,

ଜୟଦେବ କରୁଛନ୍ତି ଯେ ଭାବ କଳ୍ପନା,

ସାଧ୍ୟ କାର ଏ ବିଶ୍ୱରେ

ମିଳାଇବ ପଦ ?

ଅସମ୍ଭବ !

ଚିତ୍ତର ବିଭ୍ରମ ।

ଜୟଦେବ- ଉଁ, ବିଭ୍ରମ !

ହୋଇପାରେ ।

କିନ୍ତୁ-

ନାଁ, ତ

ସ୍ପଷ୍ଟ-ଅତି ସ୍ପଷ୍ଟ ସ୍ୱର

ଶ୍ରବଣରେ ଏତେ ଭ୍ରମ ଘଟିବ ମୋହର ?

ପରାଶର- ଅସମ୍ଭବ ନୁହେଁ କବି !

ଭାବୁକର ଭାବଧାରା,-

ରୂପ ଧରି

ଥରେ ଥରେ ଦିଏ ଦେଖା,

ଛାୟା ବାଜି ସମ ।

ଆଉ କିଛି ନୁହେଁ । ଭ୍ରମ !

ଜୟଦେବ- ଭ୍ରମ ! ହେଇପାରେ ।

ପରାଶର- ଥାଉ ସେ ଅତୀତ କଥା ।

ଉତ୍କଣ୍ଠା ଜାଗଇ ପ୍ରାଣେ,

ଶୁଣିବାକୁ ଅପୂର୍ବ ସଙ୍ଗୀତ;-

ପ୍ରସରିଛି ସଦ୍ୟ ଯାହା

ଲେଖନୀରୁ ତବ ।

ଜୟଦେବ- ଶୁଣିବ ? ଶୁଣ ତେବେ ପରାଶର !

କୃଷ୍ଣ- [ନେପଥ୍ୟେ ଗାଇଲେ]

ରାଧାବଦନ ବିଲୋକନ ବିକଶିତ...ଇତ୍ୟାଦି

ଜୟଦେବ- (ଉଠି) ଶୁଣୁଛ ! ଶୁଣୁଛ ତ ପରାଶର ?

ଏବେ ମଧ୍ୟ କହି ପାର

ଚିତ୍ତ ଭ୍ରମ ବୋଲି ?

ଶୁଣିଲ ତ ଏବେ ? କିଏ ଗାଏ

ରଚନାର ଅନ୍ୟ ପଦ ମୋର ।

ପରାଶର- କାହିଁ ?

ସ୍ୱର ମାତ୍ର ଶୁଭିଲା ମୋ କର୍ଣ୍ଣେ

ବୁଝିତ ପାରିଲ ନାହିଁ

ବଂଶୀ କି ନୂପୁର ତାହା ?

ଜୟଦେବ- ନା, ନା, ନୁହେଁ ବଂଶୀ,

ନୁହେଁ ସେ ନୂପୁର

ସ୍ପଷ୍ଟ ଶୁଭେ-

ବାଳକର କଣ୍ଠ ପରି ହୁଅଇ ପ୍ରତୀତ;

ଶୁଣ- (ନେପଥ୍ୟରୁ ପୁଣି ଶୁଭିଲା)

ଜୟଦେବ- ଏବେ ମଧ୍ୟ ନ ହେଲା ବିଶ୍ୱାସ ?

ନାଁ, ନାଁ, ଆସ, ଆସ,

ଦେଖେଁ ଯାଇଁ କିଏ ସେହି ଚୋର ।

ଚୋରି କରି ଗାଥା ମୋର

ଶୁଣାଉଛି ମୋତେ ?

ଆସ ପରାଶର ।

ଧର, ଧର, କିଏ ସେ ବାଳକ (ପୁଣି ନେପଥ୍ୟରୁ ଗୀତ)

ଜୟ- ହେଇ, ଶୁଣ ପୁଣି-

ଆସ, ଏଇ ଦିଗେ ଶୁଭେ,

ବାଳକ ! ବାଳକ !

(ଦୌଡ଼ି ଚାଲିଗଲେ-ଗୀତ ମଧ୍ୟ ଦୂର ଦୁରାନ୍ତରରେ ଲୀନ ହୋଇଗଲା)

 

ତୃତୀୟ ଦୃଶ୍ୟ

(ଗୋଟିଏ ଭିକାରୀ ବୁଢ଼ା ଓ ଗୋଟିଏ ଝିଅ ଏକତାରା ଧରି ମାଗିବାକୁ ବସିଲା, ଗାଉଛି ଶ୍ରୀ ଗୀତଗୋବିନ୍ଦ)

(ଗୀତ)

ରାଧିକା ତବ ବିରହେ, କେଶବ ।

ସ୍ତନବିନିହତମପିହାର ମୁଦାରମ୍ ।।

ସା ମନୁତେ କୃଶ ତନୁରିବ ଭାରମ୍ ।

ରାଧିକା ତବ ବିରହେ, କେଶବ । ଧ୍ରୁବ ।

ସରସ ମସୃଣମପି ମଳୟଜ ପଙ୍କମ୍

ପଶ୍ୟତି ବିଷମିବ ବପୁସି ଶଶଙ୍କମ୍

ଶ୍ୱସିତ ପବନ ମନୁପମ ପରିଣାହଂ ।

ମଦନ-ଦହନ ମିବ ବହତି ସଦାହମ୍ ।

ଦିଶି ଦିଶି କିରତି ସଜଳ-କଣ-ଜାଳଂ

ନୟନ-ନଳିନମିବ ବିଦଳିତନାଲମ୍

ନୟନବିଷୟମପି କିଶଳୟ-ତଳ୍ପଂ

ଗଣୟତି ବିହିତ-ହୁତାଶ-ବିକଳ୍ପମ୍ ।

(ଜଣେ ଯାତ୍ରୀ ଗୁମାସ୍ତା ଓ ତା ସହିତ ଜଣେ ହିନ୍ଦୁସ୍ଥାନୀ ଯାତ୍ରୀ ତାନପୁରା ହାତରେ ବଡ଼ ଦାଣ୍ଡରେ ଚାଲି ଯାଉଥିଲେ)

ହି: ଯାତ୍ରୀ- (ଯାଉ ଯାଉ ଅଟକି ଗଲେ)

ଗୁମାସ୍ତା- ଚାଲ ।

ହି: ଯାତ୍ରୀ- ଉଁ ? (ବୁଝି ନ ପାରିବା ପରି)

ଗୁ- ଆରେ ଚାଲନା ବେହିପୋ, ଯୋଉଠି, ଯାହା ଦେଖିଲା, ପହଡ଼େ ଅଟକିଲା ।

ଯା- ଠୈରୋ, ଠୈରୋ;

ଗୁ- ଆରେ, ଆଛା ଠଇରୋ ଠଇରୋ; ଅନ୍ଧଟେ ଗୀତ ଗାଉଚି; ତାକୁ ଶୁଣି ବୋଇଲା ଠଇରୋ ଠଇରୋ, ଚଲୋନା; ଡେର୍ ହୋ ଯାତା ହୈ; ଫିନ୍ ଜଗବନ୍ଧୁକା ଦର୍ଶନ ନହିଁ ମିଲେଗା ।

ଯା- ଯରାସେ ଠୈରୋ; ଯାଏଙ୍ଗେ ତୋ ଦରଶନକୁ । ଯେରା ଶୁନେ । ଆଛା ଗାନା ଗା ରାହା ହୈ ବୁଢ଼ା । ହାଁ ରେ ବୁଢ଼ା ! ୟେ ବଚି କୋନ୍ ହୈରେ ?

ଗୁ- ଆରେ ସେ ପିଲାଟି କିଏ ରେ ତୋ ସାଥିରେ ?

ଅନ୍ଧ- [ଗୀତ ବନ୍ଦ କରି] ମୋ ନାତୁଣୀ ହବ । ସେଇ ତ ବୁଢ଼ାର ସାହା ଭରସା ହେଇଚି ବାବା । କିଛି ବୁଢ଼ାଟାକୁ ଦୟାକର ଶେଠଜୀ ।

ଯାତ୍ରୀ- ବୁଢ଼ା କ୍ୟା ଦହା ଜୀ ।

ଗୁ- ୟେ ଲଡ଼କୀ ବୁଢ଼ା କା ନାତୁଣୀ; ବୁଢ଼ାକୁ ରାସ୍ତା ଦିଖଲାତା ହେ ।

ଯାତ୍ରୀ- ୟେ କ୍ୟା ଗା ରହା ହେ ବୁଢ଼ା ?

ଗୁ- ସେ ଖେଦା କଅଣରେ ପିଲା ?

ପି- ଗୀତଗୋବିନ୍ଦ ଖେଦା ।

ଯା- କ୍ୟା ନାମ ?

ଗୁ- ଗୀତଗୋବିନ୍ଦ ।

ଯା- ଗାଓ ଗାଓ ।

ବୁଢ଼ା- ଦେ ପଦ କହିଦେ ଲୋ ମାଆ !

ପିଲା- [ପଢ଼ି ଦେଲା ଦୁଇଧାଡ଼ି]

ଅନ୍ଧ- ହଁ, ମନେ ପଡ଼ିଲା । ଗା, ସାଙ୍ଗରେ ମୋର ।

ଅନ୍ଧ ଓ ନାତୁଣୀ- [ଗାଇଲେ]

(ମଝିରେ ମଝିରେ ବୁଢ଼ା ଝୁଣ୍ଟି ଯାଉଥାଏ ଓ ବାଳିକା କହି ଦେଉଥାଏ)

ଯାତ୍ରୀ- ରଚନା ଯେସା ସୁରତ; ଐସା ସୁମଧୁର । ହରିଗୁନ ଗା ରହା ହୈ ଭିକାରୀ । ଏ ଜୀ ପୁଛିୟେତୋ କବି କୋନ୍ ହୈ ।

ଗୁ- ହାମକୁ ମାଲୁମ ହେ । କବି, ପୁରୀକେ ଦେହାତ୍‌ମେ ରହନେବାଲେ ଏକ ବ୍ରାହ୍ମଣ ପଣ୍ଡିତ ହୈ ।

ଯା- ଉଡ଼ିଶ୍ୟାକା କବି ?

ଗୁ- ଜରୁର ।

ଯା- ହିନ୍ଦି ଅଏସା ମାଲୁମ ହୋତା ହୈ ନାଁ !

ଗୁ- ଆରେ ବେହିପୋ ! ମାରିନେବେ ରେ ! ଯେ ଆଇଲା ଆମ ଓଡ଼ିଶାକୁ ସେ ବୋଇଲା ମୋର ପୁଳାଏ ! ବେହିପୋ ସମୁଦ୍ରଟାକୁ ମୋର ବୋଲି କହ ମ ।

ହି: ଯାତ୍ରୀ- କ୍ୟା ବୋଲା ଗୁମାସ୍ତା ଜୀ ! ୟେ ହିନ୍ଦି ନହିଁ ?

ଗୁ- ନାହିଁ, ନାହିଁ, ୟେ ହିନ୍ଦି, ବଙ୍ଗଲା, ତେଲୁଗୁ-କୋଇନାହିଁ; ପଣ୍ଡିତ ଜୀ’ନେ ଲିଖା ହୈନା-ସଂସ୍କୃତ ହେ।

ଯା- ଇତନା ସରଲ ! ମହାପଣ୍ଡିତ ହୋଙ୍ଗେ । ଇରାଦା ହୋତାହେ କି ଥୋଡ଼ା ହାମ୍ ଭି ଶିଖ୍‌ଲେଁ । ଜଗନ୍ନାଥ ଦେଶକା କବିନେ କୈସା ସରଲ ସଂସ୍କୃତମେ ଗାନା ଲିଖା । ୟେ କ୍ୟା ରାଗ ହେ ଜି ।

ଗୁ- ଆପ୍‌ତ ଓସ୍ତାଦ ହେ ! ସୁର୍ ବତାଇଏ ନାଁ ।

ଯା- ଯୈ ସେ ମାଲୁମ ହୋତା, ୟେ କୋଇ ହାମଲୋକକା ଦେଶକା ୟାନେ ହିନ୍ଦୁସ୍ଥାନୀ ରାଗ ରାଗନୀ ନହିଁ । ସାୟତ-

ଗୁ- ହାଁ, ହାଁ, ୟେ ହାମ୍ ଲୋକକା ଦେଶକା ରାଗିଣୀ ।

ଯା- ପୁଛିୟେ ନା ବୁଢ଼ାକୁ-

ଗୁ- ଉଁ ସେ କି ଜାଣେ ରାଗ ରାଗଣୀ ? ହଇରେ ପିଲା ତୁ ଜାଣିଛୁ ?

ପିଲା- କଅଣ ଆଜ୍ଞା ?

ଗୁ- ଏ ଗୀତର କି ରାଗ ? ଯେ’ପା ତୋର ଜାଣେ ?

ପିଲା- (ପୁଡ଼ା ଲେଉଟାଇ) କଅଣ ଲେଖା ହେଇଚି-ଏଇଠି ଗୀତ ଉପରେ ତ-

ଦେଶାଖ୍ୟ ରାଗ, ଏକତାଳୀ ତାଳାଭ୍ୟାଂ ଗୀୟତେ

ଯାତ୍ରୀ- କ୍ୟା କହା, ଗାନାକା ରାଗ ଲିଖା ହୁଆ ହୈ ? କ୍ୟା ରାଗ ?

ଗୁ- (ବିରକ୍ତ ହୋଇ) ରାଗ ଦକ୍ଷିଣ ଲଙ୍କା ମରିଚ ?

ପଢ଼ିବୁଟି ରେ ପିଲା ଆଉ ଥରେ ।

ପିଲା- ଦେଶାଖ୍ୟ ରାଗ ଏକତାଳୀ ତାଳାଭ୍ୟଂ-

ଗୁ- ହଁ, ହଁ, ଦେଶାଖ୍ୟରାଗ ଏକତାଳୀ ତାଳ-(ତାଳଦେଇ ଗାଇଲା) ‘‘ରାମାରେ ଏକାଳେ ଘନ ଘୋଟିଲା’’-

ଯା- ହଁ । ୟେ ଆପଲୋକକା ତରଫକା ଗାୟକୀ ଶୈଲୀ ହୋଗା, ଗାଓ, ଗାଓ ବେଟୀ !

ଗୁ- ଆରେ, ଶୁଣିଲ ତ ଚାଲ ଭଲା, ବେହିପୋ ଘଡ଼ିଏ ବକର ବକର କଲାଣି ।

ଯା- ଗାଓ ତ ବେଟୀ ।

ଗୁ- ଆରେ ଆଉ ପଦେ ଗାଇଦେ ରେ ପିଲା !

ଯା- ଦୋନୋ ଏକ୍‌ଠେ ଗାଓ; ବହତ ଆଛା ଲଗତା ହୈ ।

(ବୁଢ଼ା ଓ ବାଳିକା ପୁଣି ଗାଇଲେ)

ଗୁ- ଅବ ଚଲୋ, କୁଛ ଦେନେକୋ ଚାହୋ ତୋ ବୁଢ଼ାକୁ ଦେ ଦୋ ।

ଯା- ଯରା ରହୋ ଗୁମାସ୍ତା ଜୀ ! ଐସା ମିଠା ଗାନା ଅଉର ଐସା ସରଳ ଭାଷା ଛୋଡ଼କେ କୈସେ ଯାଉଁ ? (ହସି) ଅଓର ଦୋ ଚାର ବଚନ, ଯେତା ଶୁନତା ହୁଁ ଅଓର ଶୁନ୍‌ନେକୋ ଜୀ ଚାହତା ହୈ, ଏ ଲିଖ୍‌ଖା ଦେଖ ସକେଙ୍ଗେ ?

ଗୁ- ହାଁ, ସୌକ୍‌ସେ-, ମଗର ଆପ-ଆଛା ଦେଖି ରେ ପିଲା ସେ ଖେଦା-

(ପିଲା ଖେଦା ଦେଲା ଗୁମାସ୍ତାକୁ । ଗୁମାସ୍ତା ଦେଖାଇଲା, ଯାତ୍ରୀ ଦେଖିବା ବେଳକୁ ଜଣେ ବଙ୍ଗାଳୀ ଯାତ୍ରୀ ଆସି ପହଞ୍ଚିଲା)

ବ: ଯାତ୍ରୀ- ଓଟା କି ମଶାୟ !

ଗୁ- ପୁଁଥି ! ପୁଁଥି ! ଗୀତଗୋବିନ୍ଦ ପୁଁଥି ।

ବ: ଯାତ୍ରୀ- ଉଡ଼ିୟା ଲିଖା, ଉଡ଼ିଆ ଅକ୍ଷର, ନାଁ ? ଦେଖି ।

ଗୁ- ହାଁ ଦେଖୁନ୍ ନା ।

ବ: ଯାତ୍ରୀ- ଏତେ ଆବାର ଅକ୍ଷର କୋଇ ? କାଲି କୋଇ ?

ଗୁମା- (ହସି) କାଲି, କାଲି କି ହବେ ?

ବ: ଯାତ୍ରୀ- ତବେ, ଅକ୍ଷର ଦେଖା ଯାଛେନା ଯେ ! ଦାଗେର ମତନ କି ଖୋଦାଇ ହୟେଛେ ଯେନ ।

ଗୁମାସ୍ତା- କେନ୍, ବେଶ ପରିଷ୍କାର ଅକ୍ଷର । କାଲି କି ହବେ ?

ବ: ଯାତ୍ରୀ- ଆବାର, ଆମାଦେର ଦେଶେ ଏଇ ରକମ୍ ଲିଖା ହୟ ତାଲ ପାତାୟ; କିନ୍ତୁ ଶରେର କଲମ ଦିଏ, କାଲି ଦିଏ ।

ଗୁମାସ୍ତା- (ହସି) ନା, ନା, ଲିଖନ-ଲେଖନ, ଲୋହାର ତଇରି, [ପିଲାକୁ] ଅଛି କିରେ ତୋର ?

ପିଲା- କଅଣ ?

ଗୁ- ଲେଖନ ଅଛି ପାଖରେ ?

ଅନ୍ଧ- ହଁ ଥିବ, ନାତୁଣୀ ମୋର ଲେଖେ ଯେ, ଦେଖା ଲୋ ଝିଅ ! ଲେଖନ କଅଣ ଦେଖିନାଁ ଯେ ଦେଖିବ ?

ଗୁ- ଆରେ, ତାଙ୍କର ସବୁ ତାଳପତ୍ର ଉପରେ କଅଣ ଶର କଲମରେ କାଳି ବୁଡ଼େଇ ଲେଖନ୍ତି, ଲେଖନ ନାହିଁ ।

ପି- [ଲେଖନ କାଢ଼ି] ହେଇଟି ।

ଗୁମାସ୍ତା- (ଆଣି ଦେଖାଇଲା)

ବ: ଯାତ୍ରୀ- ବାଃ, ଏତେ କେମନ କରେ ଲିଖା ଯାୟ ?

ଗୁ- ଟିପ ଟାଣ ହେଲେ ଯାଇ ହବ । ଏ କାଠିକର ପାଠ, ମାଟିବଂଶ ଅବଧାନଙ୍କ ଛାଟ ନ ବାଜିଲେ, ଲେଖନ ଧରିବା ମିଛ ।

ହି: ଯାତ୍ରୀ- ବାଃ, ବଡ଼ ଶକତ୍ ।

ବ: ଯାତ୍ରୀ- କି ଲିଖା ହୟେଛେ ଏତେ ? ପଡ଼ତେ ପାରେନ୍ ?

ଗୁ- ବଲଲମ ନାଁ । ଗୀତଗୋବିନ୍ଦ । ଏଇ ଆମାଦେର ଦେଶେର ଏକ ଭକ୍ତ ପଣ୍ଡିତେର ରଚନା ।

ବ: ଯାତ୍ରୀ- ପଡ଼ୁନ୍ ଦେଖି ।

ଗୁ- ଓଇ ମେୟେଟା ପଡ଼ବେ ଶୁନ୍‌ନ ନାଁ । ପଢ଼ିବୁଟିରେ ପିଲା । ନେ ତୋ ଖେଦା ନେ । ଗା, ଦୁଇ ପଦ ଗା ତୋ ଯେ’ପା ସାଥିରେ ।

ପିଲା- (ଖେଦା ନେଲା ଓ ଦୁହେଁ ଗାଇଲେ)

ବ: ଯାତ୍ରୀ- ସୁନ୍ଦର ସୁନ୍ଦର ରଚନା, ସୁର୍‌ଟି ତ ବେଶ୍ ମିଷ୍ଟି ! ଆପନାଦେର ଦେଶୀ ସୁର୍ ନାଁ ? ଆମଦେର ଦେଶେ ତ ଏମନ ସୁରେର ପ୍ରଚଳନ ନେଇ ।

ହି: ଯାତ୍ରୀ- ୟେ ଉଡ଼ିଶ୍ୟାକା ଚଲନ ରାଗ ରାଗିନୀ ହେ ବାବୁଜୀ, ଆପ ବଙ୍ଗାଲୀ ହୈ ନ ? ବଙ୍ଗାଳୀ ଗାନାକା ସୁର୍ ହାମ ଲୋକକା ହିନ୍ଦୁସ୍ଥାନୀ ରାଗସେ ଗାୟା ଯାତା ହୈ । ଅଏସା ଗାନା ଇଧର ପ୍ରଚଲନ ହୈ । ୟେ ସ୍ୱତନ୍ତ୍ର ।

ଗୁ- ହଁ ଏ ଆମର ଖାଣ୍ଟି ଓଡ଼ିଶୀ ସ୍ୱର ।

ବ: ଯାତ୍ରୀ- କେମନ୍ ସରଲ୍ । ଆର ସୁରଟି ଯେନ ଖୁବ୍ ମର୍ମସ୍ପର୍ଶୀ । ଏଇ ଦେଶର କବି ଲିଖେଛେ ?

ଗୁ- ନିଶ୍ଚୟ- ଜଗନ୍ନାଥେର ଦେଶ୍ ! ବୁଝଲେ ବାବୁ, ସମସ୍ତ ସେଇ ରକମ୍ ବିଚିତ୍ର । ଶ୍ରୀମନ୍ଦିର ଦେଖେଛେନ ତ ? ଏତ ବଡ଼ ମନ୍ଦିର ଆର କୋଥାୟ ଆଛେ ?

ବ: ଯାତ୍ରୀ- ଏ ଯେ ଜଗବନ୍ଧୁର ମନ୍ଦିର, ବଡ଼ ଦେଉଳ ବଲେ ନାଁ, ଏ ମନ୍ଦିର କେ ?

ଗୁ- ହାଁ, ହାଁ, ଆର ଭୁବନେଶ୍ୱର ଦେଖେନନି ବୋଧହୁଏ । ଦେଖେ ଚକ୍ଷୁସ୍ଥିର୍ ହଏ ଯାବେ ଆପନାର । ଅଦ୍‌ଭୁତ କାରୁକାର୍ଯ୍ୟ ! ଜଗନ୍ନାଥେର ଦେଶ୍ । ଏଖାନେ ସବଇ ବଡ଼ । ସକଲି ବିଚିତ୍ର । ଏଇ ଦେଶେର କବି, କାରିଗର, ପଣ୍ଡିତ ସବଇ ବଡ଼ । ଜଗବନ୍ଧୁ ଏଇଖାନେ ଥାକେନ୍ ଛି ନା !

ବ: ଯାତ୍ରୀ- ଗାଇତେ ବଲୁନ୍ ନାଁ ବୁଡ଼ୋକେ । ଆର ତ ଦୁଏକ ଚରନ୍ । ଶୁନି ।

ହି: ଯାତ୍ରୀ- ହାଁ, ହାଁ, କହିୟେ କହିୟେ ।

ଗୁ- ଆରେ, ଉନ୍‌ଲୋକ ସେ କ୍ୟା ଶୁନୋଗୋ ଜୀ ? ଆପ ଶିଖ୍‌ନେକା ଇରାଦା କରତେ ହେଁ ନା; ଚଲିୟେ ମନ୍ଦିରମେ । ଦେର୍ ହୋଗୟା, ସାୟତ୍ କବି ଆପନେ ପତ୍ନୀକେ ସାଥ୍ ଗୀତଗୋବିନ୍ଦ ଗାତେ ହୋଙ୍ଗେ ।

ହି: ଯାତ୍ରୀ- କାହାଁ ? ମନ୍ଦିର ମେ ? କବି କ୍ୟା ଇହାହିଁ ରହେତେ ହେଁ ?

ବ: ଯାତ୍ରୀ- କବି ଏଇଖାନେ ? ମନ୍ଦିରେ ଓଁ ର ଦେଖା ପାବ ?

ଗୁ- ହାଁ, ଏଇ ଦେଶର୍ ଲୋକ୍ ଉନି । ଏଇଖାନେ ଥାକେନ୍ । ଓର ଜୀବନେର ଅନେକ ବିଚିତ୍ର କଥା ଆଛେ । ଶୁନ୍‌ବେନ୍ ? ବଲବ । ଆପନି ମନ୍ଦିରେ ଯାବେନ ତ ? ଚଲୁନ୍ ରାସ୍ତାୟ ବଲେ ଯାଛି ।

ବ: ଯାତ୍ରୀ- ଆଚ୍ଛା ।

ହି: ଯାତ୍ରୀ- ଚଲିୟେ ଗୁମାସ୍ତା ଜୀ, ଦେର୍ ହୋ ଯାଏଗା ତୋ ଫିନ୍ କବି ସେ-

ଗୁ- ଚଲିୟେ ।

ବୁଢ଼ା- ମତେ କିଛି ମିଳିଯାଉ ବାପା ।

ପୁ- ହଁ, ହଁ, ଏ ବୁଢ଼ାକୁ କୁଛ୍

ହି: ଯାତ୍ରୀ- ହାଁ, ହାଁ, ହରିଗୁନ ଶୁନାୟା, ପବିତ୍ର ଗୀତଗୋବିନ୍ଦ । ଜରୁର୍ ଉନ୍‌କୁ ମିଲେଗା, ଯୋ ହାମାର ଭାଗ୍‌ମେ ହେ । (ଚଦରଟି କାଢ଼ି ଦେହରୁ ଦେଲେ)

ବୁଢ଼ା- ଭଗବାନ ମଙ୍ଗଳ କରନ୍ତୁ ବାବା !

ବ: ଯାତ୍ରୀ- (କିଛି କଉଡ଼ି ଦେଲେ)

ବୁଢ଼ା- ଜଗନ୍ନାଥ ବଡ଼ତି କରନ୍ତୁ ତୁମର ।

(ଅନ୍ଧ ଓ ନାତୁଣୀ ପୁଣି ଗାଇଲେ ଗୀତ, ଯାତ୍ରୀ ଦୁହେଁ ଓ ଗୁମାସ୍ତା ଯାଉ ଯାଉ)-

ଗୁ- ବୈକୁଣ୍ଠେ ଆଟିକା ଶେଷ ହୟେଛେ ଆପନାର ?

ଯା- ଆଟିକା ଟାଟିକା ଜାନିନ ତ ।

ପୁ- ପାଣ୍ଡା ଠାକୁରେର କାଛେ ଜଗବନ୍ଧୁର ପ୍ରସାଦ ଜନ୍ୟ-ଏଇ ମାଖନ ମିଶ୍ରୀ, ଛପନ ଭୋଗ, ଶିରା ପୁରୀ, କଡ଼ା ମୋହନଭୋଗ, ମିଠା ଖେଚୁଡ଼ି, କରମାବାଇ ଖେଚୁଡ଼ି, ଡାଲଭାତ-ଏଇ ସବ ?

ଯା- ନା, ଓସବ୍-

ଗୁ- ଚଳୁନ୍, ଚଳୁନ୍ । ତାରପର ଆବାର ସୁଫଲ୍ ଆଛେ ।

ହି: ଯା- ସୁଫଲ୍ କ୍ୟା ହେ ଗୁମାସ୍ତାଜୀ ।

ଗୁ- ଦେଖ୍‌ବେ ? ବସୁନ୍ ଓ ମଶାଏ । (ବଙ୍ଗାଳୀ ଯାତ୍ରୀକୁ ବସାଇଲା) ଏଇଯାତ୍ରାର ସୁଫଲ୍ । ଦର୍ଶନେ ଏସେଛିଲେନ ନାଁ ? ଯାତ୍ରା ଭାଲ ହୟ, ସୁଫଲ୍ କର୍‌ଲେ । ଏଇ । ଏଇ ରକମ ।

(ବେତ ପିଠିରେ ଓ ମୁଣ୍ଡରେ ମାରି)

ପଞ୍ଚବେତ୍ ମାରେଁ, ସକଲ ଦୁଃଖ ତାରେଁ

ଜଗନ୍ନାଥମେ ଛଡ଼ି-ଦ୍ୱାରକାମେ ଛାପ

ଖୁସି ରାଜି ଦକ୍ଷିନା ଦିଓ, ସବ କଟଗଇ ପାପ୍ ।

ଏଇରକମ୍-ଚଲୋ । ଅବ୍ ମନ୍ଦିର ଚଲୋ-ସବ୍ ହୋଜାୟଗା ।

 

ଚତୁର୍ଥ ଦୃଶ୍ୟ

ସମୁଦ୍ର ତୀର-ପଥ

(ଜୟଦେବ, ପରାଶର - ବାଳକ କୃଷ୍ଣ)

ପରା- କେତେ ପଥ ଯିବା ପଛେ ପଛେ ତା’ର ?

ଜୟ- ନାଁ, ବଡ଼ କ୍ଳାନ୍ତ ମୁହିଁ, ପାଦ ମୋର ନ ଚଳଇ ଆଉ । ଦେଖ, କେଡ଼େ ଦୁଷ୍ଟ ଶିଶୁ, ଦେଖି ଆମ ଅପାରଗପଣ ହସେ ଯାଇ ସାଗରର ତୀରେ ।

ବାଳକ- (ହସି) ଜୟଦେବ, ଛି, ଛି, କବି ପରା ତୁମେ ? କି କଳ୍ପନା କର ବସି ? ଧରି ତ ପାରିଲ ନାହିଁ - ସାମାନ୍ୟ ଶିଶୁକୁ ।

ଜୟ- ଶୁଣ ଶୁଣ ପରାଶର, ଉପହାସ କରେମୋତେ ଅଜ୍ଞାନ ବାଳକ, ଯାଉ ପଛେ ପ୍ରାଣ, ଅବଶ୍ୟ ମୁଁ ଧରିବି ଶିଶୁକୁ, ଚାଲ ଚାଲ ସମୁଦ୍ରର କୂଳେ । ଦେଖିବି ମୁଁ କେଡ଼େ ସେ ଚତୁର, କାହିଁ ପଳାଇବ ଲଙ୍ଘି ସାଗରର ବାରି ।

(ଜୟଦେବ ସମୁଦ୍ର କୂଳକୁ ଗଲେ)

ବାଳକ- (ଜଳରେ ପଶୁ ପଶୁ ଗାଇବାକୁ ଆରମ୍ଭ କଲେ)

ଜୟ- ଦେଖ, ଦେଖ, ପରାଶର ! ପୁଣି ଗାଏ ମୋହରି ରଚନା । (ଶିଶୁ ପ୍ରତି) ଆରେ, ଆରେ ଅଜ୍ଞାନ ବାଳକ, ଏ କି କରୁ, ଏ କି କରୁ ? ନୁହେଁ ତୋର କ୍ରୀଡ଼ାଭୂମି ତାହା । ଜଳ, ଜଳ ଅତଳ ସାଗର ! ଜୀବନର ମାୟା ଯାଉ ଭୁଲି !

ବାଳକ - (ହସି ହସି ଗୀତ ଗାନ)

ଜୟଦେବ - ପରାଶର !

ଅସମ୍ଭବ ଶିଶୁ !

ଧୋଇ ଯାଉ ଏ ଉଚ୍ଛିଷ୍ଟ

ସମୁଦ୍ରର ଜଳେ ।

ଲୁପ୍ତ ହେଉ କବି ଦମ୍ଭ,

ଅତଳ ଗରଭେ ।

କି କାର୍ଯ୍ୟ

ସାଇତି ରଖି ଉଚ୍ଛିଷ୍ଟ ରଚନା ?

(ପୋଥି ସମୁଦ୍ର ଗର୍ଭରେ ଫିଙ୍ଗି ଦେଲେ)

ପରାଶର- ଆହା, ଆହା

କି କଲ କି କଲ କବି

ପାଣ୍ଡୁଲିପି ଦେଲ ଫିଙ୍ଗି

ସାଗର ଗରଭେ ?

ଜୟ - ଖାଲି ନୁହେଁ ତାହା

ଉଚ୍ଛିଷ୍ଟ ଭୋଗି ଜୀବନେ

ନାହିଁ ପ୍ରୟୋଜନ

ଏ କବିତ୍ୱ ଯାଉ ଭାସି

ଅଥଳେ ଆକୁଳେ

ପାଣ୍ଡୁଲିପି ତୁଲେ

ହେଉ ଆଜି ଜୟଦେବ ସଲୀଳ ସମାଧି ।

(ଝାପ ଦେବାକୁ ଉଦ୍ୟତ)

ପରା- (ବାଧାଦେଇ) ଜୟଦେବ, ଜୟଦେବ !

ବାଳକ - (ଜଳମଧ୍ୟରୁ) କି କର, କି କର କବି !

ଏକି କଲ ଭକ୍ତ

ହୃତ୍‌ପିଣ୍ଡ ମୋ ଦେଲଫିଙ୍ଗି

ସାଗର ବାରିରେ ?

(ପାଣ୍ଡୁଲିପି ଧରି ଜଳ ମଧ୍ୟରେ ଥାଇ) ଛାଏଁ ଛାଏଁ ଦେଉଛି ମୁଁ ଧରା ।

ନିଅ ତବ ପାଣ୍ଡୁଲିପି

ପବିତ୍ର ଏ ଶ୍ରୀ ଗୀତଗୋବିନ୍ଦ

ଭକ୍ତ କବି କଳ୍ପନା କୁସୁମେ ଗଢ଼ା ।

ନୁହେଁ ତା ଉଚ୍ଛିଷ୍ଟ

ଆଦରର ଧନ ମୋର ତାହା

ତେଣୁ ଭକ୍ତ କବି

ତୁମ୍ଭ ଲେଖା ପଂକ୍ତି ଗୋଟି କେତେ

ସ୍ମରଣ ମୁଁ ରଖି

ରଟୁଥାଏ ଦିବାନିଶି

ହରଷ ଅନ୍ତରେ

ଘେନ ତବ ପାଣ୍ଡୁଲିପି

ମେଲି ଆଖି ଦେଖ

ସମ୍ମୁଖେ ମୁଁ ଭକତ ଭିକାରୀ ।

ଜୟ- ଏ କି ରୂପ ଦେଖୁଛି ନୟନେ ?

ପଦ୍ମ-ପଲାଶ-ନୟନ

ଶିଖଣ୍ଡି ମୁକୁଟ !

ଗଳେ ବନମାଳ,

କରେ ବଂଶୀ !

ଶ୍ୟାମ କଳେବର !

ଜାଗ୍ରତ ନାଁ ନିଦ୍ରିତ ମୁଁ ?

ସ୍ୱପ୍ନ ନାଁ ସତ୍ୟ

ଶ୍ରୀକୃଷ୍ଣ- ଘେନ ଭକ୍ତ ପାଣ୍ଡୁଲିପି ତବ

ଜୟ- ପାଣ୍ଡୁଲିପି ମମ ?

ଶ୍ରୀହସ୍ତେ ଯା କରିଛି ପୂରଣ ଦିନେ ?

ହେ ଚିର ବାଞ୍ଛିତ,

ସଫଳ ମୋ ଶ୍ରମ ତେବେ-

ସାର୍ଥକ ଜନମ, ଏଡ଼େ ଭାଗ୍ୟ ସମ୍ଭବ କି ମୋର ?

ଧନ୍ୟ ହେଲି ଆଜି

ଗୋବିନ୍ଦ ଶ୍ରୀପଦେ ଅରପି ମୁଁ

ଶ୍ରୀ ଗୀତଗୋବିନ୍ଦ ପ୍ରସାଦ ନୈବେଦ୍ୟ

ଜୟ ଜୟ ମଦନ ମୋହନ

(ଦଶାବତାର ସନ୍ଦର୍ଶନ)

ପ୍ରଳୟ ପୟୋଧିଜଳେ ଧୃତ ବାନସି ବେଦଂ

ବିହିତ୍ର ବହିତ ଚରିତ୍ର ମଖେଦଂ

କେଶବ ଧୃତଂ ! ମୀନ ଶରୀର, ଜୟ ଜଗଦୀଶ ହରେ ।।

କ୍ଷିତି ରତି ବିପୁଳତରେ ତବ ତିଷ୍ଠତି ପୃଷ୍ଠେ

ଧରଣୀ ଧରଣ କିଣ ଚକ୍ର ଗରିଷ୍ଠେ

କେଶବ ଧୃତ ! କଚ୍ଛପ ରୂପ, ଜୟ ଜଗଦୀଶ ହରେ ।।

ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା

ଶଶନି କଳଙ୍କ କଳେବ ନିମଗ୍ନା

କେଶକ ଧୃତ ! ଶୂକର ରୂପ, ଜୟ ଜଗଦୀଶ ହରେ ।।

ତବ କର କମଳ ବରେ ନଖ ମଦ୍ଭୁତ ଶୃଙ୍ଗ

ଦଳିତ ହିରଣ୍ୟ କଶ୍ୟିପୁ ତନୁ ଭୃଙ୍ଗ

କେଶବ ଧୃତ ! ନରହରି ରୂପ, ଜୟ ଜଗଦୀଶ ହରେ ।।

ଛଳୟସି ବିକ୍ରମଣେ ବଳି ମଦ୍ଭୁତ ବାମନ

ପଦ-ନଖ-ନୀରଜନିତ ଜନ ପାବନ

କେଶବ ଧୃତ ! ବାମନ ରୂପ, ଜୟ ଜଗଦୀଶ ହରେ ।।

କ୍ଷତ୍ରିୟ ରୁଧିରମୟେ ଜଗଦପଗତ ପାପଂ

ସ୍ନପୟସି ପୟସି ସମିତ ଭବ ତାପଂ

କେଶବ ଧୃତଂ ! ଭୃଗୁପତି ରୂପ, ଜୟ ଜଗଦୀଶ ହରେ ।।

ବିତରସି ଦୀକ୍ଷୁ ରଣେ ଦିକ୍‌ପତି କମନୀୟଂ

ଦଶ ମୁଖ ମୌଳି ବଳିଂ ରମଣୀୟଂ

କେଶବ ଧୃତ ! ରାମ ଶରୀର, ଜୟ ଜଗଦୀଶ ହରେ ।।

ବହସି ବପୁସି ବିଷଦେ ବସନଂ ଜଳନାଭଂ

ହଳ ହତି ଭୀତ ମିଳିତ ଯମୁନାଭଂ

କେଶବ ଧୃତଂ ! ହଳଧର ରୂପ, ଜୟ ଜଗଦୀଶ ହରେ ।।

ନିନ୍ଦତି ଯଜ୍ଞ ବିଧେରହଽଶ୍ରୁତିଜାତଂ

ସଦୟ ହୃଦୟ ଦର୍ଶିତ ପଶୁଘାତଂ

କେଶବ ଧୃତଂ ! ବୁଦ୍ଧ ଶରୀର, ଜୟ ଜଗଦୀଶ ହରେ ।।

ମ୍ଳେଚ୍ଛ ନିବହ ନିଧନେ କଳୟସି କରାବାଳଂ

ଧୂମକେତୁ ମିବ କିମତି କରାଳଂ

କେଶବ ଧୃତ ! କଳ୍‌କି ଶରୀର, ଜୟ ଜଗଦୀଶ ହରେ ।।

ଶ୍ରୀ ଜୟଦେବ କବେରିଦଂ ମୁଦିତଂ ମୁଦାରଂ

ଶୃଣୁ ଶୁଭଦଂ ସୁଖଦଂ ଭବସାରଂ

କେଶବ ଧୃତ ! ଦଶବିଧ ରୂପ, ଜୟ ଜଗଦୀଶ ହରେ ।।

(ଜୟଦେବ ପ୍ରଣାମ କଲେ)

 

 

 

 

 

 

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

(ଜୟଦେବଙ୍କ କୁଟୀର ଦ୍ୱାର ଉନ୍ମୁକ୍ତ-ରାଧା ମାଧବଙ୍କ ମୂର୍ତ୍ତି ଦେଖାଯାଉଥିଲା, ପଦ୍ମା ଆରତୀ ଧରି ଠିଆ ହୋଇଥିଲେ । ଜୟଦେବ ପୂଜା ବଢ଼ାଉ ଥିଲେ; ଉଭୟେ ଗୀତଗୋବିନ୍ଦ ଗାଉଥିଲେ)

ରତି ସୁଖସାରେ, ଗତମଭିସାରେ.....ଇତ୍ୟାଦି

(ଗୀତ ମଧ୍ୟରେ ବୁଢ଼ୀ ବାଇଗଣବାଲି ବାଇଗଣ ନେଇ ଆସିଛି)

ବୁଢ଼ୀ- ବାଇଗଣ ରଖ ବାପା । (ବୋଝ ମୁଣ୍ଡରୁ ଓହ୍ଲାଇ ରଖିଲା, ଗଳବସ୍ତ୍ର ହୋଇ ଦିଅଁଙ୍କୁ ପ୍ରଣାମ କରି, ଏକମନରେ ଗୀତଗୋବିନ୍ଦ ଶୁଣୁଥାଏ ।)

ପରାଶର- (ଗଙ୍ଗାଷ୍ଟକ ପଢ଼ି, ହାତରେ ପାଣି ଢାଳଟିଏ ନେଇ ଓଦାଲୁଗାରେ ଫେରୁଛନ୍ତି ଗାଧୋଇ କରି) ଆଲୋ ମାଉସୀ ! କେତେବେଳୁ ଆସି ବସି ରହିଛୁ ! ମୋର ଟିକିଏ ମଠ ହୋଇଗଲା ଆଜି । କଅଣ ଆଣିଚୁ ?

ବୁଢ଼ୀ- ସେଇ ବାଇଗଣ ଆଉ ଶାଗ ତ ଲୋ ବାପା ! ଆଉ କଅଣ ଆଣିବି ? ଅରାଏ ତ ବାରି, ସେଇଥିରୁ ଶାଗ ଟୋକରିଟିଏ କରିଛି । ବାଇଗଣ ଗଣ୍ଡିଏ ଗଣ୍ଡିଏ ଫଳୁଚି ।

ପରା- ହଉ, ହଉ, ବାଡ଼ିପଟକୁ ଆସ । ପାଞ୍ଚ ଦୁଆର ଗଲେ ସିନା କିଣା ବିକା କରିବୁ । ବହୁତ ବେଳଯାଏ ଏଠି ବସେଇ ରଖିଲିଣି ମୁଁ ଖଲିଟାରେ ।

ବୁଢ଼ୀ - ହ, ଖାଲିଟାରେ କଅଣ ଲୋ ବାପା । ଯୋଉ ଘଡ଼ିକ ପହଡ଼କ ଏଠି ବସେଁ, ସେଇତକ ଜାଣି ଜନମ ଭିତରେ ସାର୍ଥ । ସବୁବେଳେ ତ ପେଟଚିନ୍ତା, ଦୁଃଖୀ ଲୋକ । ଘଡ଼ିଏ ହେଲେ ଦିଅଁଙ୍କ ନାଆଁ ଶୁଣିଥାଏଁ ।

ପରା - କଅଣ ଗୀତଗୋବିନ୍ଦ ଶୁଣୁଥିଲୁ ?

ବୁଢ଼ୀ - ହଁ ଲୋ ବାପା, ଗୀତ ଶୁଣିଥିଲି, ଆଉ ଗୋବିନ୍ଦ କୋଉଠି, ମୁଁ କୋଉଠି ? ଗୀତଗୋବିନ୍ଦ ଶୁଣିବି ଏଇ ପାପ କାନରେ ?

ପରା - ନିତି ତ ଶୁଣୁଚୁ ଆସି, କିଛି ହେତୁ ରଖିଲୁଣି ଭଲା ?

ବୁଢ଼ୀ - ହଁ, ହେତୁ ରଖିବି ? ବୁଢ଼ୀ ମନିଷ ! ଗୀତ ଶୁଣୁ ଶୁଣୁ ତା ମନକୁ କାଁ ଭାଁ ଏଠୁ ସେଠୁ ପଦେ ଅଧେ ଯାହା ହେତୁ ରହି ରହି ଯାଉଚି ।

ପରା- ହଉ, ଆସ ଆସ, ତମକୁ ଆଗେ ବିଦା କରିଦିଏଁ ।

ଜୟଦେବ - [ଆରତୀ ଆରମ୍ଭ କଲେ]

(ବୁଢ଼ୀ ଓ ପରାଶର ଚାଲିଗଲେ, ପଦ୍ମା ଗଳବସ୍ତ୍ର ହୋଇ ପ୍ରଣାମ କଲେ ଦିଅଁକୁ ।)

 

 

 

 

 

ଦ୍ୱିତୀୟ ଦୃଶ୍ୟ

କେନ୍ଦୁଲି ଦାଣ୍ଡ

(ପରାଶର ପତ୍ନୀ କାଖରେ ଗୋଟିଏ ପାଣି ମାଠିଆ ନେଇ ଯାଉଥିଲେ ଘରକୁ, ହଠାତ୍‌ ଠିଆ ହୋଇଗଲେ - ମନେ ମନେ ଯେମିତି କେତେ କଅଣ ଭାବିଲେ, ଫେରି ଆସିଲେ ଅନ୍ୟମନସ୍କ ହୋଇ ଫେରିବାବେଳକୁ ଦେଖା ହେଲା ବିମଳା ସହିତ)

ବିମଳା- ଭାଉଜ ! ଘରକୁ ଯାଉ ଯାଉ ଫେରି ଆସିଲୁ ବାଟରୁ ?

ରୋହିଣୀ- [ହତାଶ ଭାବରେ] ଯାଉଚି -

ବି- ଯାଉଚୁ ? ମୁହଁ ସଞ୍ଜ ହେଇ ଆସିଲେଣି, ଏତେବେଳେ ଫେ’ର୍‌ କୁଆଡ଼େ ଯାଉଚୁ ?

ରୋ- ଯାଉଚି ଟିକିଏ ନଈ କୂଳକୁ ।

ବି:- ପାଣି ଆଣି ଏଇନେ ଆସିଲୁଟି ! ଫେ’ର୍ ନଈ କୂଳରେ କଅଣ କାମ ?

ରୋ:- କାମ ? କିଛି ନାଇଁ ଯେ । ଘଡ଼ିଏ ଯାଇ ବସିକରି ଆସିବି ।

ବି:- ତୋର ଏଇ ଯୋଉ ଅଲଣାକଥା । ଘର ଗୋଟାକର କାମ କହୁଚି କଅଣ ନାଁ ନଈ କୂଳକୁ ଯିବି । ନଈକି ଯିବାକୁ ବେଳ ମିଳିଲା ତୋତେ ? ଚାଲ, ଚାଲ ଘରକୁ ଚାଲ ।

ରୋ:- ନାଇଁ ମ, ଏଡ଼େ ବେଗେ ଘରକୁ ଯାଇ କଅଣ କରିବି ? ରନ୍ଧା ନାଁ ବଢ଼ା ?

ରୋ:- ସେଇଦିନୁ ପୁରସ୍ତମ ଗଲେ ଯେ, ଖବର ନାଇଁ କି ଅନ୍ତର ନାଇଁ । ବିମଳା ! ବଣ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ କିଏ ଜାଣିବ ?

ବି:- କାହିଁକି ମ, ମନ ଯେବେ ଏତେ ଖରାପ ହଉଚି, ଚାଲୁନୁଁ ପୁରସ୍ତମ ଯିବୁ ।

ରୋ:- କେମିତି ଯିବି ?

ବି:- କାହିଁକି ଚାଲିକରି । ଗୋଡ଼ ଦି’ଟା ତ ଅଛି ।

ରୋ:- ଗୋଡ଼ କଅଣ ଆଉ ନାଇଁ ବୋଲି ମୁଁ କହୁଚି ? ନିଆଁ ଲଗା ମାଇପି ଜନମ ପରା ପାଇଚି ଲୋ ବିମଳୀ ! ଏକୁଟିଆ କେମେତେ ଯିବି ?

ବି:- କାହିଁକି, ମୁଁ ଯିବି । ଭାଇନାକୁ ଦେଖି ଆସିବା । ଦିନ କେଇଟା ରହିଲା, ନୂଆ ଭାଉଜ ମତେ ଗୋଟେ ମାୟା ଲଗେଇ ଦେଇଚି ଲୋ ଭାଉଜ ! ଆଉ ଦିନ ତିନିଟା ତ ବୁଡ଼ ରହିଲା, କେତେ ଯାତ୍ରୀ ଆସିବେ । ପୁରସ୍ତମ ଯିବା ଲୋକଙ୍କ ସାଙ୍ଗରେ ତୁ ମୁଁ ଦିହେଁ-

ରୋ:- ତୁ ସତେ ଯିବୁ, କେଜାଣି !

ବି:- ତୋ ରାଣ ଲୋ ଭାଉଜ ! ମୁଁ ବୋଉକୁ କହି ମଙ୍ଗେଇନେବି । ଦେଖିବୁ ନେଇଁ । ଚାଲ, ଘରକୁ ଚାଲ । ସଞ୍ଜ ଦେଇନୁଁଟି ଚଉରା ପାଖେ ?

ରୋ:- ଆଲୋ ହେ ! ଦେଖିଲୁ ମନେ ନ ଥିଲା ମୋର ।

ବି- ହଁ, କେମିତି ମନେ ରହିବ ? ତୋର ପରା ଘରେ ଛନ ଛନ ବାହାରେ ମନ, କେମିତି ଦେଖିବା କଳା ବଦନ !

ରୋ:- ଯା, ଯା; ସବୁବେଳେ ତୋର ଖାଲି -

ବି - ଆଉ କଅଣ ତୋ’ରି ପରି ମିଛଟାରେ ମୁହଁ ଶୁଖେଇ ବସିଥାନ୍ତି ? କିଲୋ, ଭଗବାନ ହାତ ଗୋଡ଼ ଦେଇଚନ୍ତି, ଦିଅଁ ଦେଖା ହେବ ଦେଉଳ ଦେଖା ହବ; ଚାଲ ।

(ଦୁହେଁ ଗଲେ ବାହାରି)

ରଥିଆ - [ଆସି] ହୁଁ, ଆଚ୍ଛା - ଆଉ ଭୋଗଖିଆ ବି ହବ ! ରହ ଲୋ ଖଣ୍ଡାଖାଇ ରୋହିଣୀ ନାନୀ, କାନଟାରୁ ଆଜିଯାକେ ପରା ମୋର ପୀଡ଼ା ଯାଇନାଇଁ, ଓଃ ! ଯିବୁ ତ ପୁରସ୍ତମ, ଏକୁଟିଆ କାହିଁକି ? ପାହାନ୍ତାରୁ ମୁଁ ଆଗରୁ ରଥିଆକୁ ସାଥିରେ ନେଇ ଅଧାବାଟିଆ ବାଟ ଜଗି ବସିବି ଲୋ । ଚାଲ, ଚାଲ, ତୋ କାନମୋଡ଼ା ଏଇଥର ଦଉଚି ଛଡ଼େଇ । ସେଠି ତ ଆଉ ଗାଆଁ ନାଇଁ କି ତ ଗଣ୍ଡା ନାଇଁ ! ବାଟକୁ ଚା ।

(କହି କହି ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

(କୁଟୀର ପଶ୍ଚାତ୍‌ ଦେଶର ବାଇଗଣ ବାରି, ଚନ୍ଦ୍ରପକ୍ଷ ରାତ୍ର - ଶରତ-କାଳ । ଗୋଟିଏ ବାଇଗଣ ବୋଝ ନେଇ ବୁଢ଼ୀଟିଏ ବାଇଗଣ ତୋଳୁଚି । ମଝିରେ ମଝିରେ ଖଣ୍ଡିଆ ଖଣ୍ଡିଆ କରି ଗୀତଗୋବିନ୍ଦ ଗାଉଛି, ଶ୍ରୀକୃଷ୍ଣ ଲୁଚି ଲୁଚି ଶୁଣୁଛନ୍ତି)

ବୁଢ଼ୀ (ଗୀତ) -

କାଳୀୟ ବିଷଧର ଗଞ୍ଜନ-ଜନରଞ୍ଜନ

ଯଦୁକୁଳ ନଳୀନ ଦୀନେଶ

ଜୟ ଜୟ ଦେବ ହରେ

x        x      x

ରାଧିକା ବିରହେ ତବ କେଶବ

ସ୍ତନ ବିନହିନମପିହାରଂ ମୁଦାରଂ

ସାମନୁତେ କୃଶ ତନୁରିବ ଭାରଂ

ସରସ ମସୃଣ ମପି ମଳୟଜପକଂମ୍‌

ପଶ୍ୟତି ଦିଶି ଦିଶି ବପୁସି ଶଶଂକମ୍‌

(ଗାଇ ଗାଇ ବାଇଗଣ ତୋଳୁ ତୋଳୁ କୁଟୀର ଦ୍ୱାର ଫିଟାଇ ଚାଲିଗଲା, ଶ୍ରୀକୃଷ୍ଣ କିଛିକ୍ଷଣ ତା’ର ଯିବା ପଥକୁ ଚାହିଁ ରହିଲେ) ।

ଚତୁର୍ଥ ଦୃଶ୍ୟ

ପୁରୀ ବଡ଼ଦାଣ୍ଡ

(ଅନ୍ଧ ପୁରିଆକୁ ବାଟ କଢ଼ାଉଛନ୍ତି ବାଳକବେଶୀ ଶ୍ରୀକୃଷ୍ଣ)

ଶ୍ରୀକୃଷ୍ଣ- ଆହା ହା ! ଅବାଟରେ ଯାଅ ନାଇଁ । ଗୋଡ଼ ଖସିଗଲେ ପଡ଼ିଯିବ ଯେ !

ପୁରିଆ- ହଁ ବାପା, ଟିକିଏ ବାଟ ମଣେଇଁ ନିଅ ।

ଶ୍ରୀକୃଷ୍ଣ- ତମକୁ କଅଣ ଜମା ଦିଶୁ ନାଇଁ ?

ପୁରିଆ- ନାଇଁ ବାବା ! ଜମା ଦିଶୁ ନାଇଁ ।

ଶ୍ରୀକୃଷ୍ଣ- ତୁମେ କଅଣ ଜନ୍ମରୁ ଅନ୍ଧ ? କାଇଁ ? ଆଖି ତମର ତ ଫୁଟିଗଲା ପରି ଦିଶୁନାଇଁ । (ଆଖିଆଗେ ଆଙ୍ଗୁଠି ହଲାଇ)

ପୁରିଆ- ଜନ୍ମରୁ ମୁଁ ଅନ୍ଧ ନୁହେଁ ବାବା ! ଏଇ ଚାରି ଦିନ ହେଲା ଏମିତି କେମିତି ହେଲା । ଆସୁଥିଲି ପୁରସ୍ତମ-ବାଟରେ-

ଶ୍ରୀ- କଅଣ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥିଲ ?

ପୁ- ଜଗନ୍ନାଥ, ହଁ ବାବା ! ମୋ ସାଥିରେ ଆଉ ଜଣେ ଥିଲା ଯେ ସେ ଛାଡ଼ିକରି ପଳେଇଲା, ମୁଁ ଆଉ ଗାଆଁକୁ ବି ଫେରି ଯାଇ ପାରିଲି ନାହିଁ । ଆସୁ ଆସୁ ହଠାତ୍‌ ବାଟରେ ଏମିତି ହେଲା । ଆଖିକି କିଛି ଆଉ ଦିଶିଲା ନାହିଁ ।

ଶ୍ରୀ- ତମ ଗାଁ କେଉଁଠି ?

ପୁ- ଗାଆଁ କେନ୍ଦୁଲୀ ।

ଶ୍ରୀ- କିଛି ଖାଇଚ ?

ପୁ- ନାଇଁ ବାବା ! ଆଉ ଖାଇଲି କଅଣ ? କିଏ ଦବ ? ଭୋକରେ ହଂସା ଉଡ଼ିଯାଉଛି ।

ଶ୍ରୀ- ଏଇ ପାଖରେ ତମ ଗାଆଁ ଲୋକ ସବୁ ଅଛନ୍ତି, ଜାଣିନା ?

ପୁ- କିଏ ?

ଶ୍ରୀ- ଜୟଦେବଙ୍କୁ ଚିହ୍ନିଚ ? ସେ ଆଉ ତାଙ୍କ ସ୍ତ୍ରୀ ପଦ୍ମାବତୀ ।

ପୁ- (ଚମକି) ନାଁ, ନାଁ, -ହଁ ତାଙ୍କୁ ଜାଣିଚି ଯେ, ସେ ତ-

ଶ୍ରୀ- ହଁ, ଏଇଠି ଥାଆନ୍ତି, ତାଙ୍କ ଘରକୁ ଆହୁରି କିଏ ଦି’ଜଣ ମାଇପି କୁଣିଆ ଆସିଚନ୍ତି । ତମକୁ ସେଇଠି ପହଞ୍ଚେଇ ଦେବି ।

ପୁ- ନାଁ, ନାଁ, ନାଇଁ ବାପା, ମୁଁ, ମୁଁ, ମୁଁ -

ଶ୍ରୀ- କାହିଁକି ? ତୁମେ ତାଙ୍କ ଗାଆଁ ଲୋକ, ତମକୁ ଦେଖିଲେ ସେମାନେ ତମର ଯତ୍ନ କରିବେ । ଭଲ, ଭଲ, ହବ । ଏଠି କୋଉଠି, କେମିତି ରହିବ ?

ପୁ- କୋଉଠି କାହା ପିଣ୍ଡା ପହଣ୍ଡରେ -

ଶ୍ରୀ- ଖାଇନାଅଁ ଯେ କିଛି, ସେଠିକି ଗଲେ ତ ଭଲ ହବ । ମୁଁ ତାଙ୍କ ଘରକୁ ବରାବର ଯାଏଁ । ମୁଁ କହିଦେବି । ସେମାନେ ତମକୁ ଖାଇବା ପିଇବାକୁ ଦେଇ, ଭଲରେ ରଖିବେ ।

ପୁ- ନାଇଁ ବାବା ! ମୋତେ ଆଉ କୋଉଠିକି ବାଟ ବତେଇ ଦିଅ, ଭିକ ମାଗିକରି ଖାଇବି - ସେ ଭଲ, ଗାଆଁ ଲୋକଙ୍କୁ ଏ ମୁହଁ ଦେଖେଇ ପାରିବି ନାହିଁ ।

ଶ୍ରୀ- ତମ ମନ, ମୁଁ ତମ ଭଲକୁ କହୁଥିଲି ନାଁ । ଆସ ତେବେ, ହାତ ଧର । ତମକୁ ଗାଇ ଆସେ ?

ପୁ- ନାଇଁ ବାବା ! ଟିକିଏ ଏମିତି - ପାଠ ପଢ଼ୁଥିଲେ ଗୀତ ଗାଉଥାଏ ଶଅର ବାଉରି ପୁଅ ।

ଶ୍ରୀ- ହଁ ଯେମିତି ହଉ । ହରି ନାମ ଧରି ମାଗିଲେ ପୁରସ୍ତମରେ ଖାଇବାକୁ ଅଭାବ ହବ ନାଇଁ । ମୁଁ ଶିଖେଇ ଦଉଚି । ଗାଅ ମୋ ସଙ୍ଗେ । ମୁଁ ଭିକାରୀ ଟୋକାଟିଏ । ବହୁତ ଲୋକ ମତେ ଡାକନ୍ତି ଖାଇବାକୁ, ବାକି ଆଦର ନ ପାଇଲେ ମୁଁ କୋଉଠି ଖାଏ ନାହିଁ । ମୋ ସଙ୍ଗେ ଗାଅ, ଆସ ।

(ହାତ ଧରିଲେ)

-ଗୀତ-

କୃଷ୍ଣ ମୁରାରୀ, ଜନ ଦୁଃଖହାରୀ, କେଶବ ଜୟ ଦଇତାରୀ

ଜୟ ଜଗଦୀଶ ହରେ - ଜୟ ଜଗଦୀଶ ହରେ ।

ଗୁ- ଥରକେ ମନେରହୁ ନାହିଁ ।

ଶ୍ରୀ- ହଉ, ମୋ ସାଙ୍ଗରେ ମିଶେଇ ମିଶେଇ ଗାଅ, ମନେରହି ଯିବ ଯେ, ଗାଅ-

(ଗାଇ ଗାଇ ନେଇଗଲେ)

ପଞ୍ଚମ ଦୃଶ୍ୟ

(ଶ୍ରୀମନ୍ଦିର କଳାଘାଟ ଦ୍ୱାର ଉନ୍ମୁକ୍ତ ସମ୍ମୁଖରେ ଗରୁଡ଼ ସ୍ତମ୍ଭ, ସ୍ତମ୍ଭ ଚାରିପାଖେ ଧାଡ଼ି ଧାଡ଼ି ଦୀପ ଜଳୁଛି, ବହୁ ଭକ୍ତ କରଯୋଡ଼ି ଦଣ୍ଡାୟମାନ । ଦେବଦେସୀ ନୃତ୍ୟ ହେଉଥିଲା । ଶ୍ରୀ ଜୀଉଙ୍କ ସମ୍ମୁଖରେ ଆରତୀ ଘେନି ପୂଜାପଣ୍ଡା ଦଣ୍ଡାୟମାନ ।)

(ଦେବଦାସୀର ପଲ୍ଲବୀ ସହ ନୃତ୍ୟ । ବାଦ୍ୟକାର ମୁହଁର ପଲ୍ଲବୀ ଉକୁଟି କହୁଥିଲା । ନୃତ୍ୟ ତଦନୁସାରେ ହେଉଥିଲା । ଦକ୍ଷିଣ ଦ୍ୱାର ବାଟେ ପୁରୀର ମହାରାଜା ପ୍ରବେଶ କଲେ ରତ୍ନସିଂହାନ ନିକଟକୁ ହଠାତ୍‌ ତାଙ୍କର ଦୃଷ୍ଟି ପଡ଼ିଲା ଶ୍ରୀଅଙ୍ଗର ପିନ୍ଧା ଉପରେ ।)

ମହାରାଜ- (ବିରକ୍ତ ଓ ବିସ୍ମିତ ହୋଇ) ନିଯୋଗ ! ବନ୍ଦକର ସେବା । (ମୂହୂର୍ତ୍ତକେ ରାଜାଦେଶ ପାଳିତ ହେଲା । ମନ୍ଦିର ନୀରବ-ନିସ୍ପନ୍ଦ)

ମହା- କାଲି ଦେଉଳ ମୁଦ ପାଳି କାହାର ଥିଲା ?

ବଡ଼- ମୁଁ ଥିଲି, ମଧୁ ମେକାପ ମୁଦ ଦେଲେ ।

ମହା- ବଡ଼ସିଂହାର କିଏ ବଢ଼ାଇଛି ?

ବଡ଼- ମଣିମା, ମୁଁ ।

ମହା- ଜଗନ୍ନାଥଙ୍କ ଶ୍ରୀଅଙ୍ଗର ଲାଗି ପିନ୍ଧା ଚିରି ଯାଇଛି କଣ୍ଟାରେ ଫୋଡ଼ିଲା ପରି ! ଏ ସବୁ କାହିଁକି ହେଇଚି, ଶ୍ରୀ ଅଙ୍ଗରେ ବାଇଗଣ କଣ୍ଟା ଲାଗିଲା କୋଉଠୁ ?

ବଡ଼ପଣ୍ଡା- ଆଜ୍ଞା ମୋତେ ତ –

ମହା- ତୁନି ହୁଅ । ସତ କଥା କୁହ ।

ବ:ପ- ମୁଁ ମିଛ କହୁନାଇଁ ଆଜ୍ଞା ! ମୁଁ ତ ଭଲ ପିନ୍ଧା ଲାଗି ବଢ଼େଇ ଥିଲି ।

ମହା- ଭଲ ପିନ୍ଧା ଲାଗି ବଢ଼ାଇ ଯାଇଥିଲ ? ଆଉ ମୁଁ କଅଣ ଅନ୍ଧ ? ଦେଉଳ କରଣେ ! ବଡ଼ ମହାସ୍ନାନ କରାଇ ନୀତି ବଢ଼ାଅ । ଭୋଗ ପୋତାଇ ଦେଇ, ନୂଆ କରି ଅମୁଣିଆ ବସାଅ । ଆଉ ତୁମେ ବଡ଼ପଣ୍ଡା ! ମଧୁ ମେକାପଙ୍କୁ ସାଙ୍ଗରେ ଧରି ନଅର ଦୁଆରେ ହାଜର ହୁଅ । ଦେଖ, ଏହାର କାରଣ ନ ଦେଖାଇ ପାରିଲେ ତୁମ ଦୁହିଁଙ୍କୁ ସବଂଶେ ରାଜ୍ୟରୁ ବାହାର କରି ଦିଆଯିବ । ଯାଅ, ନୀତି ବନ୍ଦ କର । (ରାଗରେ ଚାଲିଗଲେ)

ବ: ପଣ୍ଡା- (ଜଗନ୍ନାଥଙ୍କୁ ଚାହିଁ କରଯୋଡ଼ି)

ଜଗବନ୍ଧୁ ! ତୁମ ଇଚ୍ଛା-

ପଞ୍ଚମ ଅଙ୍କ

ପ୍ରଥମ ଦୃଶ୍ୟ

(ପୁରୀ ରାଜନବରର ଏକ ଅଂଶ । ଛାମୁକରଣ ବସି ଛାମୁ ଚିଟାଉ ଲେଖା ଶେଷ କରୁଥିଲେ, ଇତି ମଧ୍ୟରେ ବାଚସ୍ପତି ଆସି ପହଞ୍ଚିଲେ)

ବାଚସ୍ପତି- (ହାତରେ ଖଣ୍ଡିଏ ପୋଥି ଘେନି) ସେ ଖଣ୍ଡି କଅଣ ଲେଖା ହେଉଚି ଛାମୁକରଣେ ?

ଛା- ଓ, ବାଚସ୍ପତିଏ, ପ୍ରଣାମ ପ୍ରଣାମ !

ବା- (ଆଶୀର୍ବାଦ କଲେ) ଦୀର୍ଘାୟୁଭବ । କଅଣ ସେ ହେ !

ଛା- ଛାମୁ ଚିଟାଉ । ସେ ବୁଢ଼ୀକି ଲେଖ ଆଜ୍ଞା ହେଉଚି ପରା ?

ବା- କଅଣ ଲେଖ ଆଜ୍ଞା ହେଲା ?

ଛାମୁ- ଯାହା ଶ୍ରୀମୁଖ ବଚନ ଦିଆ ଯାଇଥିଲା । ଶୁଣିଥିଲେ ପରା, ବାଇଗଣ ବାଲି ବୁଢ଼ୀ, କର୍ମ ତା’ର ଖୋଲିଛି, ନୋଇଲେ ଜଗନ୍ନାଥ ତା ଗୀତ ଶୁଣିବାକୁ ବଡ଼ ଦେଉଳ ଛାଡ଼ି-

ବା- ହଇ ହେ, ସତେ କି ଅଦ୍ଭୁତ କଥା । ମହାରାଜାଙ୍କୁ ପୁଣି ସ୍ୱପ୍ନରେ କୁହାଗଲା-

ଛା- ସେତକ ନହୋଇ ଥିଲେ ତ ବଡ଼ପଣ୍ଡା ବିଚରା ବଂଶ କୁଟୁମ୍ବ ଘେନି ମରି ଥାଆନ୍ତା ।

ବା- ଏବେ ବଡ଼ପଣ୍ଡାଙ୍କୁ ଫେ’ର୍‌ ଛାଡ଼ ହେଲାଣି ତ ?

ଛା- ଖାଲି ଛାଡ଼ ! ପାଟ ଯଥା କୁଣ୍ଡଳ ସହିତ ନାଁ ?

ବା- କଅଣ ବୋଲୁଚ ଏବେ ?

ଛାମୁ- ଆଉ ?

ବା- ସେ ବୁଢ଼ୀ କି ଫେ’ର୍‌ ?

ଛା- ଏଇ ପରା ଲେଖା । ବଂଶାନୁକ୍ରମେ ଶ୍ରୀମନ୍ଦିରରେ ବଡ଼ସିଂହାର ଚନ୍ନଲାଗିରେ ଗୀତଗୋବିନ୍ଦ ପଢ଼ୁଥିବେ, ସେଥିକି ସୁନାବେଣ୍ଟ, ରୂପା ବେଣ୍ଟ ଚଅଁର, ନିତ୍ୟାନି ଖେଇକି ଜଗନ୍ନାଥ ବଲ୍ଲଭରୁ ଖଞ୍ଜା । ମୁଁ ମାଦଳାରେ ଲେଖି ଆସିଲି । ବାକି ଏ ଚିଟାଉରେ ସନ୍ତକ ହେଲେ ବୁଢ଼ୀକି ମିଳିଯିବ ।

ବା- ହଁ, ସତ ଯେ ! ଫେ’ର୍‌ କୋଉ ଗୀତଗୋବିନ୍ଦ ବୁଢ଼ୀ ଗାଇବ, ସେବାରେ ?

ଛା- କାହିଁକି ?

ବା- ଆହା ! ଆଚ୍ଛା ବୁଝୁଛ ! ହେଇଟି ପରା ପୋଥି ! ଅଭିନବ ଗୀତଗୋବିନ୍ଦ ! ମହାରାଜ ତ ନିଜେ କବି । ଆଜ୍ଞା ପ୍ରମାଣେ ଦଶ ଜଣ ବଡ଼ ବଡ଼ ପଣ୍ଡିତ ବସି, ବିଚାର, ଲେଖା ସଂଶୋଧନ କରି, ଆଜି ଗ୍ରନ୍ଥ ସମାପ୍ତ ହେଲା । ଖାଲି ଛାମୁ ପଇଠ ସାରିଲେ, ଆମର ଛୁଟି ।

ଛା- ୟେ ଫେ’ର୍‌କଅଣ ହବ ?

ବା- ପତର ଗୋଟାଇବା ଲୋକର ତୋଟା ମୂଲ କାହିଁକି ହେ ଛାମୁକରଣେ ? ଆମେ ସେଥିରୁ କି ପାଇବା ? ରାଜାଦେଶ ! ଜୟଦେବଙ୍କ ଗୀତଗୋବିନ୍ଦ ପରି ଆଉ ଗୋଟିଏ ତିଆରି ଗ୍ରନ୍ଥ ଲେଖା ହୋଇଗଲା । ଏଣିକି ସେ ଜାଣନ୍ତି- ଗ୍ରନ୍ଥ ଜାଣେ ।

ଛାମୁ- ଛାମୁରେ ନିଜେ ଲେଖି ଆଜ୍ଞା ହୋଇଛନ୍ତି ଏବେ ?

ବା- ଶୁଣୁଛ ପରା ଦଶଜଣ ପଣ୍ଡିତ ଲାଗିଛନ୍ତି ? ମହାର୍ଜା ନିଜେ ଶ୍ରୀମୁଖରେ ହୁକୁମ କରୁଥାଆନ୍ତି ପଦ । ଆମେମାନେ ସେ ସବୁ ଲେଖୁଥାଉଁ, ଏମିତି ହେଇ ଗ୍ରନ୍ଥ ସରିଲା । ଆଉଥରେ ସାଫି ହେଇ ଆଜି ଦେବାର୍ଚନ ବେଳକୁ ଛାମୁ ପଇଠ କରିବାକୁ ଆଦେଶ ।

ଛା- କାଇଁ, କେମିତି ଶେଷ ହେଇଚି ଦେଖିବା, ପଢ଼ିଲେ ଟିକିଏ ।

ବା- (ପୁଡ଼ା ଲେଉଟାଇ) ହଉ, ଶେଷ ଶ୍ଲୋକଟି ଶୁଣ ।

ଇଥଂ କେଳିତତୀର୍ବିହୃତ୍ୟ ଯମୁନା-

କୂଳେ ସମଂ ରାଧୟା ।

ତଦ୍ରୋମାବଳି ମୌକ୍ତିକାବଳିଯୁଗେ

ବେଣୀ ଭ୍ରମଂ ବିଭ୍ରତି-

(ନେପଥ୍ୟ କାହାଳୀ ବାଜିଲା)

ଛା- (ହଠାତ୍‌ ପୋଥି ବାନ୍ଧି) ଛାମୁରୁ ଦେବାର୍ଚନକୁ ବିଜେ ହେଲେଣି । ପଛେ ଦେଖିବା- ଚାଲନ୍ତୁ, ଚାଲନ୍ତୁ।

ବା- ଓଃ, ବିଳମ୍ବ ହୋଇଗଲା ଏଇଠି ।

(ପୁଣି କାହାଳୀ ଶୁଭିଲା, ଦୁହେଁ ତର ତର ହୋଇ ଚାଲିଗଲେ)

 

 

 

 

 

 

 

 

ଦ୍ୱିତୀୟ ଦୃଶ୍ୟ

ଜୟଦେବ

[ପୁରୀର ରାଜପଥ - ବାଳକ ବେଶୀ ଶ୍ରୀକୃଷ୍ଣ ଓ ଅନ୍ଧ ପୁରିଆ]

ବାଳକ- କ୍ଷିତି ରତି ବିପୁଳ ତରେ-

ପୁ- କେଶବ ଧୃତ-

ବା- ଉହୁଁ, ପୁଣି ତ ଭୁଲ କରୁଚ । ମୋ ସାଙ୍ଗରେ ସାଙ୍ଗରେ ଗାଅ, କ୍ଷିତିରତି ବିପୁଳ ତରେ-ଗାଆ-

ପୁ- କ୍ଷିତିରତି ବିପୁଳ ତରେ –

ବା- ତବ ତିଷ୍ଠତି ପୃଷ୍ଠେ

ପୁ- ତବ ତିଷ୍ଠତି ପୃଷ୍ଠେ

ବା- ଧରଣିଧରଣ କିଣଚକ୍ର ଗରିଷ୍ଠେ-

ପୁ- (ଅନୁକରଣ କଲା)

ବା- କେଶବ ! ଧୃତ କଚ୍ଛପ ରୂପ

ପୁ- କେଶବ ! ଧୃତ କଚ୍ଛପ ରୂପ, ଜୟ ଜଗଦୀଶ ହରେ ।

ଜୟ ଜଗଦୀଶ ହରେ ।

ବା- ମନେ ରଖିଲେ ହବ ନାଁ, ତୁମେ ତ ଭୁଲି ଯାଉଚ !

(ଯାଉ ଯାଉ ପୁରିଆ ଝୁଣ୍ଟି ପଡ଼ିବାର ଦେଖି) ଆହା ହା ! ଥିଇରି ଥିଇରି ଚାଲ, ଏଇନେ ପଡ଼ି ଯାଇଥାଆନ୍ତ !

ପୁ- କେତେଦିନ ଆଉ ଏମିତି ବାର ଦୁଆରେ ଭିକ ମୁଠେ ମୁଠେ ମାଗି ଚଳିବି ବାପା ?

ବା- ତେବେ କଅଣ ଗାଆଁକୁ ଯିବ ?

ପୁ- (ଦୀର୍ଘଶ୍ୱାସ ମାରି) ନାଁ, ଗାଆଁକୁ ? ଏଇ ଅନ୍ଧ ଆଖିରେ ? ଆଚ୍ଛା ବାପା ! ପୁରସ୍ତମ ସହର ୟେ, କାହାକୁ ଦେଖେଇଲେ- ସେ ମୋ ଆଖି ଦିଇଟି-

ବା- ଆଚ୍ଛା, ତୁମେ ମୋ ସାଙ୍ଗରେ ଚାଲ । ଦେଖିବା, କେଜାଣି ଯଦି ସେଠି ତମର ଆଖି-

ପୁ- କିଏ ଅଛି ତେବେ ? ଚାଲ, ମୁଁ ତା ଗୋଡ଼ତଳେ ପଡ଼ିବି । ଚାଲ ବାପା ! ମୋତେ ସେଇଠିକି ନେଇ ଚାଲ ।

ବା- ବାକି, ସେଇ ପାଖଟାରେ ତମ ଗାଆଁ ଜୟଦେବ ଗୋସେଇଁ ଥାଆନ୍ତି । କାଳେ ତମକୁ ଦେଖିବେ, ତୁମେ ପରା ମନା କରୁଥିଲ ତାଙ୍କୁ ଦେଖା ଦବନାଇଁ ?

ପୁ- ଥାଆନ୍ତୁ ପଛେ, ଆଉ କଅଣ କରିବି ? ସେ ନଥିବାବେଳେ ଯେବେ କେମିତି –

ବା- ଆଚ୍ଛା ଦେଖିବା, ଚାଲ-

ପୁ- ମୁଁ ଭଲ ହେଇ ଯିବିଟି ?

ବା- ସେ ଦେଖନ୍ତୁ ଆଗ ତମ ଆଖି । ତା’ପରେ ସିନା-

ପୁ- ହଉ ବାପା, ତମ ଧର୍ମ୍ମ !

ବା- ମୁଁ ଆଗେ ଆଗେ ଗାଇ ଗାଇ ଚାଲୁଚି, ତୁମେ ପଛେ ପଛେ ଆସ ।

ପୁ- ଚାଲ ବାପା, ତମର ବହୁତ ଧର୍ମ୍ମ ହବ ।

ବା- ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା

ଶଶିନିକଳଙ୍କ କଳେବ ନିମଗ୍ନା

କେଶବ ! ଧୃତ ଶୂକର ରୂପ, ଜୟ ଜଗଦୀଶ ହରେ,

ଜୟ ଜଗଦୀଶ ହରେ ।

(ପୁରିଆ ପଦେ ପଦେ ଗାଇ ଗାଇ ପଛେ ପଛେ ଚାଲିଲା)

 

ତୃତୀୟ ଦୃଶ୍ୟ

[ପୁରୀ ରାଜପୁର, ଶୟନକକ୍ଷ, ଗୋଟିଏ ପିଲିସଜରେ ଦୀପ ଜଳୁଛି । ଦୂରବର୍ତ୍ତୀ ଧୁକୁଡ଼ି ଦୁଆର ନହବତ୍‌ ଖାନାରୁ ନହବତ ବାଜି ରାତ୍ରିର ୪ର୍ଥ ପ୍ରହର ସୂଚାଇ ଦେଲା, ସ୍ୱପ୍ନରେ ଜଗନ୍ନାଥ ଦର୍ଶନ ଦେଇ ଆଦେଶ ଦେଲେ ।]

ଶ୍ରୀକୃଷ୍ଣ- ଭକ୍ତ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ପାଠ ବାରଣ କରନାହିଁ । ମୁଁ ନିଜେ ତାହା ସ୍ୱହସ୍ତରେ ପୂରଣ କରିଛି ।

ରାଜା- (ନିଦ୍ରାରେ)

କିନ୍ତୁ ଦେବ !

ବୃଥା ହେବ ମୋ ପ୍ରୟାସ ତେବେ ?

ବହୁ ଶ୍ରମେ-

ଶ୍ରୀ ଚରଣେ ତବ ଭେଟିବାକୁ

ରଚିଲି ମୁଁ,

ଅଭିନବ ଶ୍ରୀଗୀତଗୋବିନ୍ଦ !

ଯହୁଁ ବୁଝିଲି ମୁଁ ହେ ଗୋବିନ୍ଦ !

ଶ୍ରଦ୍ଧା ତବ ଗୀତଗୋବିନ୍ଦରେ;-

ଯହିଁ ହେତୁ ଦେବ,

ଚନ୍ଦ୍ର ନିଶୀଥରେ ଥରେ

ଛାଡ଼ି ରତ୍ନବେଦୀ,

ବୃଦ୍ଧା ପଛେ ପଛେ ବୁଲି

ଚିରିଲ ବସନ ।

ଯହିଁ ହେତୁ, ଚଳୁ ମଧ୍ୟେ ନ ଦେଇ ଦର୍ଶନ,

ଛପନ ଭୋଗୀ ହେ ନାଥ !

ଧୂପେ ନିତି ଘଟୁଛି ବିଳମ୍ବ;

କିପରି ସହିବି ଦେବ ଅଘଟନ କଥା ?

ବହୁଦିନୁ ଏ କଳ୍ପନା ଜାଗିଲାଣି ମନେ ।

ଏବେ ଗ୍ରନ୍ଥ ହେଲା ପୂର୍ତ୍ତି ।

କିବା ଅପରାଧେ ମୋର

ଜଗନ୍ନାଥ !

ନ ଘେନିବ କହ ପ୍ରଭୋ !

ନୈବେଦ୍ୟ ମୋହର ?

ଅପରାଧୀ ହେଲେ ମୁହିଁ ଚରଣରେ ତବ,

ତୁମେ ପରା କ୍ଷମାର ସାଗର ?

ଶ୍ରୀକୃଷ୍ଣ- ଅବୁଝା ହୁଅ ନାହିଁ ରାଜା ! ତୁମେ ମୋର ଭକ୍ତ ସତ୍ୟ; କିନ୍ତୁ ଜୟଦେବ ପରମ ଭକ୍ତ । ତିନିଭୁବନରେ ଗୀତଗୋବିନ୍ଦଠାରୁ ବଳି ଅଧିକ ପ୍ରିୟ ମୋର କିଛି ନାହିଁ ।

ରାଜା- ଶୁଣ ତେବେ ଜଗବନ୍ଧୁ !

ଘେନା ଯେବେ ନୋହିଲା ହେ ଦାସ ନିବେଦନ,

ଆତ୍ମହତ୍ୟା !

ପାପୀର ଜୀବନ ଯାଉ ପାପ ନରକରେ ।

ପ୍ରଭାତ ହୋଇଲେ ନିଶି

ପାପ ମୁଖ କେହି ମୋର

ନ ଦେଖିବେ ଆଉ ।

ଶ୍ରୀକୃଷ୍ଣ- ଛି, ଛି,

ପାପ କଥା ନ କହ ରାଜନ,

କିଏ କହେ ନୁହ ବୋଲି

ତୁମ୍ଭେ ମୋର ଭକ୍ତ ?

ତଥାପି ହେ ରାଜା !

କହିଲି ତ

ଅଧିକ ଆଦର ମୋର

ଗୀତଗୋବିନ୍ଦରେ ।

କିନ୍ତୁ ଭକ୍ତ ! ଇଚ୍ଛା ତୋର ରକ୍ଷା ହେତୁ

ଜୟଦେବକୃତ ଗ୍ରନ୍ଥେ-

ଦ୍ୱାଦଶ ସର୍ଗରେ

ଦ୍ୱାଦଶଟି ଶ୍ଲୋକ ତବ

ହେଉ ସମ୍ମିଳିତ ।

ପୂର୍ଣ୍ଣ ହେଉ ମନୋରଥ ତବ । (ଅନ୍ତର୍ଦ୍ଧାନ ହେଲେ)

ରାଜା- (ହଠାତ୍‌ ସ୍ୱପ୍ନରୁ ଉଠି ବସିଲେ)

ସ୍ୱପ୍ନ ! କାଇଁ, କେହି ତ ନାଇଁ । ଏ ସ୍ୱପ୍ନ କଅଣ ସତ୍ୟ ? ମୁଁ ସତ୍ୟ ମିଥ୍ୟା ଜାଣି ନାହିଁ, ଏ ସ୍ୱପ୍ନ ମୁଁ ପରୀକ୍ଷା କରିବି । ଜଗନ୍ନାଥ ! ତୁମରି ଚରଣ ତଳେ ଆଜି ଏ ସ୍ୱପ୍ନାଦେଶର ସମାଧାନ ହେଉ । ନୋହିଲେ ବୁଝିବି - ଏ କେବଳ ଏକ ମାୟା ! ଚିତ୍ତର ବିଭ୍ରମ ! ଗୀତଗୋବିନ୍ଦରେ ଏତେ ଶ୍ରଦ୍ଧା ? କିନ୍ତୁ ଜଗବନ୍ଧୁ ! ତୁମରି ନାମ ଧରି ଶପଥ କରୁଛି - ଯଦି ଏ ସ୍ୱପ୍ନ ସତ୍ୟ ହୁଏ, ତେବେ ତ ମଙ୍ଗଳ - ଆଜିଠାରୁ ବିଷ୍ଣୁଭକ୍ତ ଜୟଦେବ ମୋର ସଖା, ବନ୍ଧୁ । ଜୟଦେବ ଉତ୍କଳର ରାଜସଭା ମଣ୍ଡନ କରିବେ, (ଭାବି) ନୋହିଲେ ତୁମରି ନାମରେ ଏକଥା ମଧ୍ୟ ସତ୍ୟ କରୁଚି ଜଗନ୍ନାଥ ।

ଏହାର ଶାସ୍ତି - ଏହାର ଶାସ୍ତି –

(ଚାରଣ ପ୍ରଭାତୀ ଗାଇଲେ)

ରାଜା- (ଦଣ୍ଡେ ନୀରବ ରହି) ଓ - ପ୍ରଭାତ ହେଲାଣି ।

 

 

 

 

 

 

 

ଚତୁର୍ଥ ଦୃଶ୍ୟ

ପୁରୀର ଗଳିରାସ୍ତା

(ବାଳକବେଶୀ ଶ୍ରୀକୃଷ୍ଣ ପୁରିଆ ଗାଉଥିଲେ)

ବସତି ଦଶନେ ଶିଖରେ ଧରଣୀ ତବଲଗ୍ନା

ଶଶିନିକଳଙ୍କ କଳେବ ନିମଗ୍ନା

କେଶବ, ଧୃତ !

(ପଛ ପଦବେଳକୁ ଶ୍ରୀକୃଷ୍ଣ ଗୀତ ବନ୍ଦ କରିଦେଲେ, ପୁରିଆ ଅଣ୍ଡାଳି ହୋଇ)

ପୁରିଆ- ଗୋବିନ୍ଦ ! ଗୋବିନ୍ଦ !

ଶ୍ରୀ- ହେଇଟି ମୁଁ ଅଛି ପରା !

ପୁ- ହଁ, କୋଉ ଜନ୍ମରେ ମୋର କଅଣ ଥିଲୁ ବାପା ! ମୋ ଲାଗି କେତେ କଷ୍ଟ ପାଉଚୁ ! ଅନ୍ଧଟାକୁ ବାଟ କଢ଼ୋଉଚୁ ! ତୋର ଏ ଋଣ କେମିତି ସୁଝିବି ରେ ବାପା ! ତୋର ତ ମୁଁ କିଛି କରିନାହିଁ ।

ଶ୍ରୀ- ତମର ଆଖି ନାଇଁ ଯେ ! ତୁମେ ଆଉ କଅଣ କରିବ ? ମୁଁ ସାଙ୍ଗ ଛାଡ଼ିଦେଲେ ତୁମେ ଆଉ ଜୀଇ ପାରିବ କେମିତି ?

ପୁ- ଜୀଇବି ? ଆହୁରି ଜୀଇବି ? ଏଇ ଅନ୍ଧ ଆଖିରେ ଆହୁରି ଜୀଇବି ? ଆହୁରି ଘାଣ୍ଟି ହେବି ?

ଶ୍ରୀ - ଛି, ଛି, ତୁମେ କାନ୍ଦୁଚ ?

ପୁ- ନାଇଁ, ତୁ ଯୋଉ କବିରାଜ କଥା କହୁଥିଲୁ; ତାଙ୍କ ଘର ଆଉ କେତେ ବାଟ ଅଛି ? ସେ ମୋ ଆଖି ଭଲକରି ଦେବେ ନାଁ ?

ଶ୍ରୀ- ହଁ, ଭଲ ହେଇ ଯିବ ଯେ ! ତାଙ୍କୁ କହିବ ତମ ମନକଥା ସବୁ, ମୁଁ ତମକୁ ତାଙ୍କ ଦୁଆର ମୁହଁରେ ଛାଡ଼ିଦେଇ ତମ ପାଖରୁ ଆଡ଼େଇ ହେଇଯିବି । ଏଇ ତ ପାଖଟା ।

ପୁ- ନାଇଁ, ନାଇଁ, ତୁ କୁଆଡ଼େ ଚାଲିଯିବୁ ବାପା ?

ଶ୍ରୀ- ତୁମେ ତମର ମନକଥା ସବୁ ତାଙ୍କୁ କହିବ - ଗୋଟି ଗୋଟି ଫିଟେଇ କରି । ମୁଁ ଆଉ ସେଠି କାହିଁକି ଥିବି ? ଫେର୍‌ ମୁଁ ଆସିବି ଯେ ତମ ପାଖକୁ ।

ପୁ- ମୋତେ ତାଙ୍କ ଘରଠୁ ପୁଣି ନବ କିଏ ?

ଶ୍ରୀ- ଆଗେ ଭଲ ହେଇ ସାର ।

ପୁ- ହଉ ତୋ ମନ । ମୋର ତ ଆଉ କେହି ସାହା ଭରସା ନାହିଁ । କେତେ ପାପ କରିଛି, ସେଇ ଜଗନ୍ନାଥ ଯାହା କରିବେ ।

ଶ୍ରୀ- ଆଉ ଟିକିଏ ଆଗେଇ ଆସ (ନେଇଗଲେ) । ସେଇଠି ଠିଆ ହୋଇ ଗୀତ ଗାଆ - ଭାରି ଭକ୍ତ ସେ - ହରିନାମ ଶୁଣିଲେ ଛାଏଁ ଘରୁ ବାହାରି ଆସିବେ ।

ପୁ- ହଉ, ତୁ କଅଣ ଯିବୁ ବାହାରି ?

ଶ୍ରୀ- ହଁ, ତୁମେ ଗାଅ ।

ପୁ- [ଗୀତଗୋବିନ୍ଦ ଗାଇ ଗାଇ ଶ୍ରୀକୃଷ୍ଣ ଚାଲିଗଲେ ହସି ହସି]

କ୍ଷିତିରତି ବିପୁଳତରେ ତବ ତିଷ୍ଠତି ପୃଷ୍ଠେ

ଧରଣିଧରଣ କିଣ ଚକ୍ର ଗରିଷ୍ଠେ

କେଶବ, ଧୃତ ଶୂକର ରୂପ, ଜୟ ଜଗଦୀଶ ହରେ ।

[ପୂରିଆ ଗାଉଥାଏ ଗୀତ, ଇତି ମଧ୍ୟରେ ରୋହିଣୀ ଆସି ଚାହୁଁଚି ଏକ ଦିଗରୁ ପୁରିଆକୁ ନିକ୍ଷେପି]

ରୋ- ଆଲୋ ବିମଳୀ ! ଦେଖିବୁ ଆ ଲୋ ! ଆମରି ଗାଆଁ ପୁରିଆ ଦେରେ-

ବି- ସେ ପୋଡ଼ପାଡ଼ ଫେ’ର୍‌-

ପୁ- (କଥା ଶୁଣି) କିଏ ତୁମେ ସବୁ ? ଟିକିଏ କବିରାଜଙ୍କୁ ଡାକି ଦିଅନ୍ତ !

ବି- ଆଲୋ ସତେ ଲୋ ! ସେଇ କି କଅଣ ତ, ଗାଆଁଠୁ ପୁରସ୍ତମ ଯାଏ ପଛରେ ପଛରେ ନାଗିଛି । ମରଣ ହଉ ନାଇଁ, ପୋଡ଼ା ମୁହାଁକୁ ।

ପୁ- ଟିକିଏ ଡାକିଦେବ କବିରାଜଙ୍କୁ !

ବି- ଦେଖୁଚୁ ଲୋ ତା ନାହୁଲୀ ଛଟା (ପୁରିଆ ପ୍ରତି) ମଲା ! ଏଠି କୋଉ କବିରାଜ ଥାଆନ୍ତି ମ ? କାହାକୁ ଡାକି ଦେବି ? ଏଠି କବିରାଜ ଫବିରାଜ କେହି ନାହାନ୍ତି ।

ପୁ- ହଁ, ହଁ, ଅଛନ୍ତି । ଏଇଠି କୋଉଠି ତାଙ୍କ ଘର । ମୋତେ ଗୋବିନ୍ଦ କହିଲା, ସେ ଭାରି ହରିଭକ୍ତ । ହରିନାମ ଶୁଣିଲେ ସେ ଘରୁ ବାହାରି ଆସିବେ । ତୁମେ ତ ଆଉ ନୁହଁ, ସତ କହ ମୋତେ । ମୁଁ ଅନ୍ଧ ଟେ ।

ବି- ଅନ୍ଧ !

ରୋ- ଛଟା ଗାଳୁଥିବ ମ !

ବି- ଦେଖେଁ ।

ରୋ- ପାଖକୁ ଯାଉଚୁ ?

ବି- ମଲା, କଅଣ ଖାଇ ଯିବକି ଆଉ ? [ଚାହିଁଲା] ଆଲୋ ସତଲୋ, ଅନ୍ଧ ତ ! ବାକୀ -

ପୁରିଆ- (ପୁଣି ଗାଇଲା)

ଶ୍ରୀ ଜୟଦେବ କବେରିଦଂ କୁରୁତେ ମୁଦଂ

ମଙ୍ଗଳମୁଜ୍ୱଳ ଗୀତି-ଜୟ ଜୟ ଦେବହରେ ।

ଜୟଦେବ- (ଅନ୍ୟ ପଦ ଗାଇ ଗାଇ ଆସୁଛନ୍ତି ତନ୍ମୟ ଭାବରେ । ତାଙ୍କ ପଛେ ପଛେ ପଦ୍ମା)

(ପୁରିଆର ଗୀତ ବନ୍ଦ ହୋଇଗଲା)

ଜୟ- କିଏ ? କିଏ ତୁମେ ? ମୋର ଗୀତଗୋବିନ୍ଦ ଗାଇଲ ?

ପୁ- ତୁମେ ? ତୁମେ କବିରାଜ ? (ଗୋଡ଼ତଳେ ପଡ଼ି) ବହୁତ ପାପ କରିଚି ମୁଁ, ଏଇ ଆଖି ଯୋଗୁ ବହୁତ ପାପ କରିଛି ମୁଁ । ମୁଁ ଅନ୍ଧ । ତୁମେ କବିରାଜ ! ତୁମେ କବିରାଜ !

ଜୟ- ଉଠ, ଉଠ, (ଉଠାଇ) ଏ କଅଣ କହୁଚ ! ମୁଁ ତ ବୈଦ୍ୟ ନୁହେଁ ।

ପୁ- ନା, ନା, ତୁମେ କବିରାଜ ! କବିରାଜ ! ମୋତେ ଗୋବିନ୍ଦ କହିଛି ।

ଜୟ- ଗୋବିନ୍ଦ ? କୋଉ ଗୋବିନ୍ଦ ?

ପୁ- ତୁମେ ତାକୁ ଚିହ୍ନିଚ- ଏଇଠି ଛାଡ଼ି ଦେଇ ଚାଲିଗଲା ଅନ୍ଧଟାକୁ । ତୁମେ ମତେ ଠକ ନାହିଁ, ଗୋବିନ୍ଦ କହିଛି, ତୁମେ ମୋତେ ଭଲ କରି ଦେବ । ତୁମେ ମୋ ଆଖି ଦେବ । ତୁମେ କବିରାଜ । ତୁମ ଆଗରେ ମୋର ସବୁ ପାପ କହି ଯାଉଛି, ଶୁଣ । ମୁଁ ମହା ପାପୀ, ସତୀ ଉପରେ ଆଖି ପକାଇଛି, କହିବି, ସବୁ ତମକୁ । ପାପ କଥାସବୁ ପାପ କଥା ସବୁ ତମକୁ କହିବି, ତୁମେ କବିରାଜ । ତୁମକୁ କହିବାକୁ ଗୋବିନ୍ଦ କହିଚି, ତୁମେ ମୋତେ ଆଖି ଦବ । ମୁଁ ଜଗନ୍ନାଥ ଦର୍ଶନ କରିବି, ମୁଁ ଜଗବନ୍ଧୁଙ୍କୁ ଦେଖିବି ।

ଜୟ- କିନ୍ତୁ ମୁଁ - ତ ।

ପୁ- ମୋତେ ଠକ ନାହିଁ - ମୁଁ ଆଉ ମିଛ କହୁନାହିଁ । ହେଇ ଦେଖ, ଦେଖ, ମୁଁ ଅନ୍ଧ । ତୁମେ ଆଖି ଦେଲେ ମୁଁ ଜଗବନ୍ଧୁଙ୍କୁ ଦର୍ଶନ କରିବି । ଏ ଧର୍ମ୍ମ ତୁମର ବାବା, କବିରାଜ । ଦେଖ, ଦେଖ, (ଜୟଦେବଙ୍କ ହାତ ନେଇ ନିଜ ଆଖିରେ ଲଗାଇ) ମୁଁ ଅନ୍ଧ ! ତୁମେ ମୋତେ ଭଲ କରି ଦେବ । ଗୋବିନ୍ଦ କହିଛି ।

ଜୟଦେବ- (ଆଖି ମୁଦି) ଗୋବିନ୍ଦ ? ଗୋବିନ୍ଦ କହିଲେ ତୁମେ ଭଲ ହେବ ? ଅନ୍ଧ ନୟନର ଅଞ୍ଜନ ଗୋବିନ୍ଦ ତୁମକୁ ଆଖି ଦିଅନ୍ତୁ । ହେ ଗୋବିନ୍ଦ ! (ଦୁଇ ହାତ ଅନ୍ଧ ଆଖିରେ ବୁଲାଇଲେ ଓ ବୁଲାଉ ବୁଲାଉ ଗାଇଲେ ଗୀତ ଗୋବିନ୍ଦ ।

ପୁ- (ଜୟଦେବଙ୍କର ଦୁଇଟି ହାତ କଚଟି ଠାରୁ ଧରି ଧୀରେ ଧୀରେ ଚାହିଁଲା ! (ପଛକୁ ଚାହିଁ ଦେଖେ ପଦ୍ମା, ଜୟଦେବଙ୍କୁ ଛାଡ଼ି ତାଙ୍କ ଗୋଡ଼ତଳେ ପଡ଼ି) ମା ! ମା ! ମା ! ମୋତେ କ୍ଷମାକର ମା !

ବିମଳୀ- (ଗାଲରେ ହାତ ଦେଇ) ଆଲୋ ସେଇ ଲୋ !

[ଜୟଦେବ ସଂଜ୍ଞାଶୂନ୍ୟ ଭଳି ଗୀତଗୋବିନ୍ଦ ଗାଇଲେ]

ଜୟ-                  ଗୀତ

ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ

କେଳିଚଳନମଣିକୁଣ୍ଡଳମଣ୍ଡିତ ଗଣ୍ଡଯୁଗସ୍ମିତଶାଳୀ

(ସମସ୍ତେ ପୁଣି ଏକାଠି ଗାଇଲେ)

 

ପଞ୍ଚମ ଦୃଶ୍ୟ

(ବଡ଼ଦାଣ୍ଡ-ଭିକାରୀ ଗାଇ ଗାଇ ଯାଉଚି)

ବଡ଼ ଦେଉଳେ ବିଜେ ଜଗନ୍ନାଥ

ପତିତ ପାବନ ବାନା

ଉଡ଼େ ଫରହର ଅନା

ଆକାଶେ ଲାଗିଛି ତା ମାଥ ।୧।

ବଡ଼ ରଜା ଓଡ଼ିଶାର ବଡ଼ଦାଣ୍ଡ ତାର

ବଡ଼ ଦେଉଳରେ ବିଜେ ଜଗତ ଠାକୁର,

ଦରିଆ ବଡ଼ ତାର

ବଡ଼ ତା କାରିଗର

ବଡ଼ ପଣ୍ତିତ କବି ଓଡ଼ିଶା ରଜାଘର

ବଡ଼ ଠାକୁର ଯହିଁ ଟେକିଛି ବେନି ହାତ ।୨।

 

 

 

 

 

 

 

ଷଷ୍ଠ ଦୃଶ୍ୟ

ଚକ୍ରତୀର୍ଥ

[ଜଣେ ପଣ୍ଡା ଠିଆ ହୋଇଥିଲେ, ଗୋଟିଏ ତେଲୁଗୁ ଯାତ୍ରୀ ଗୋଡ଼ ତଳେ ମୁଣ୍ଡିଆ ମାରିସାରି ଉଠିଲା।]

ପଣ୍ଡା- ଜଗବନ୍ଧୁ ମଙ୍ଗଳ କରନ୍ତୁ । ଏଥର ଯା- ଦରିଆରେ ବୁଡ଼ଟେ ପକେଇ ଆ ।

(ତେଲଗୁ ଯାତ୍ରୀ ମୁଣ୍ଡ ହଲାଇ ସମ୍ମତି ଜଣାଇ ଚାଲିଗଲା)

(ପଣ୍ଡା ଚାଲିଯିବାବେଳକୁ ଜଣେ ଯାତ୍ରୀ ଗୁମାସ୍ତା ଆସି ପହଞ୍ଚିଲେ)

ଗୁମାସ୍ତା- ହଇଏ ମହାପୁରୁ ? କେତେ ଫଳିଲା ?

ପଣ୍ଡା- ଫଳିବ ? ତା କଥା କାହିଁକି ପଚାରୁଛୁ ଦାମି ?

ଅଠରନଳାଠୁ ବେହିପୋକୁ ପାଠ ପଢ଼େଇ ପଢ଼େଇ ଆଇଲା ଆମ ଧୂଳିଆ ଗୁମାସ୍ତା ଯେ - ବେହିପୋ ବୋଲି ଧରିବାକୁ ନାହିଁ । ବୋଲୁଚିକି ମୋର ପଣ୍ଡାଫଣ୍ଡା କେହି ନାହିଁ । ବେହିପୋ ଭାରି ଜାଲମ ।

ଗୁମାସ୍ତା- ଅଃ- ଜାଇଁଲ ମହାପୁରୁ, ତମ ଗୁମାସ୍ତା ସେଇଦେରେ । ବେହିପୋକୁ ପଣେ କଉଡ଼ିରେ ତିନିଥର ବିକି କିଣି ଥୋଇ ଦେବି- ବୋଇଲା ଜାଲମ ! ତା ଜାଲମଗିରି ତା ଗାଆଁଠି ନାଁ, ଏ ଚକ୍ରତୀର୍ଥ ବାଲିରେ କି ହେ ? ଏଠିକି ଭଲି ପୁଅ ହେଲେ ଭେଳେକା ବନିଯିବ । ବୋଇଲା ଜାଲମ, ତମେ, ତୁନି ହୋଇ ବସିଲ ମାହାପୁରୁ - ଏକା ଢୋଲ ଅଠିଲ ହେଇ ପୂରିବା କଥାଟି କହିଥ-

ପଣ୍ଡା- ହଁ, ତହିଁକି ମୁଁ ହଜେଇବା ପୁଅ ନୁହଁ ମ ଧନି, ହେଇଚି ଧନ - ଆସୁଛି ବେହିପୋ ।

ଗୁମାସ୍ତା- ତେମେ ଥୟ ଧରି ବସ ମାହାପୁରୁ- ମୁଁ ତାକୁ ପାଠ ପଢ଼ଉଚି, ନାଆଁଟା ତା’ର କଅଣ ମତେ କହିଥବଟି-

ପଣ୍ଡା- ଶ୍ୟାମପଦ ଚକରବର୍ତ୍ତୀ ।

ଗୁମାସ୍ତା- ବାପ ନାଆଁ ?

ପଣ୍ଡା- ଉଁ, ବଳଦଟାଏ ନାଁ ଟୋପେ ଦୁହଁ, କିରେ ସେ କୋଉଠି ଆମେ କୋଉଠି – ପଚାରୁଚି ବାପ ନାଁ - ଆମେ କି ଜାଣୁ ବାପନାଁ ରେ ?

ଗୁମାସ୍ତା- ହଉ ହଉ, ତେମେ ଥୟ ଧରି ବସ ।

(ନେପଥ୍ୟକୁ ଚାହିଁ) ହେଇଟି ଗଡ଼ିଲାଣି ବେହିପୋ, ଏଇଠି ବେହିପୋକୁ ଚରଣପୂଜାଟେ କରି ପଞ୍ଚତୀର୍ଥ ଦେଖୋଉଚି (ବଙ୍ଗାଳି ଯାତ୍ରୀ ଜଣେ ଆସିଲେ)

ଗୁମାସ୍ତା- ହଇଏ, ଓ ମଶାଏ ! ଅପନାର ନାମ ?

ବ: ଯାତ୍ରୀ - କେନ ?

ଗୁମାସ୍ତା- ଅଃ - ଶୁନୁନ୍‌ ନା - କୋଥାଏ ଯାବେନ ?

ବ: ଯାତ୍ରୀ- ପଞ୍ଚତୀର୍ଥେ-

ଗୁମାସ୍ତା- ପଞ୍ଚତୀର୍ଥେ ? ପଞ୍ଚତୀର୍ଥ ନାମ ଜାନା ଆଛେ ତ ଆଗେ ?

ବ: ଯାତ୍ରୀ - ଦରକାର ନେଇ, ଜେନେ ନବ, କା’ର କାଛଥେକେ-

ଗୁମାସ୍ତା- ଶୁନୁନ୍ ନା, ତୀର୍ଥେ ଏସେ ଆବାର ରାଗାରାଗି କେନ ? ପଞ୍ଚତୀର୍ଥ ନାମ ହଲ - ଏଇ ‘‘ସମୁଦ୍ର, ମାର୍କଣ୍ଡ, ଶ୍ୱେତଗଙ୍ଗା, ମଣିକର୍ଣ୍ଣିକା, ଚକ୍ରତୀର୍ଥ ।’’ ପଞ୍ଚତୀର୍ଥ ସଫଲ ହବେ କେମନ ? ପାଣ୍ଡା ସାଙ୍ଗେ ନେଇଁ, ସଂକଳ୍ପ କରବେ କେ ? ଆପନାର ପାଣ୍ଡା କେ ?

ବ: ଯାତ୍ରୀ- ପାଣ୍ଡାଟାଣ୍ଡା ଆମାର ନେଇଁ ।

ଗୁମାସ୍ତା- (ହସି) ସତେ ? ବେହିପୋ ଜାଲମ ଖଣ୍ଡେ । (ଯାତ୍ରୀ ପ୍ରତି) ଆପନାର ନାମ ଶ୍ୟାମପଦ ଚକ୍ରବର୍ତ୍ତୀ ନାଁ ?

ବ: ଯାତ୍ରୀ- ହାଁ, ତୁମି କେମନ କରେ- (ଆଶ୍ଚଯ୍ୟ ହେଲା)

ଗୁମାସ୍ତା- ଓଗୋ ଜାନି ଗୋ ଜାନି, ସବ୍‌ଜାନି, ଆମ୍‌ରା ତୀର୍ଥବାସୀ କିନାଁ - ପାଣ୍ଡା ଆପନାର ଓଇ ବସେଛେନ - ଶ୍ୟାମସୁନ୍ଦର ସିଂହାରୀ । ଯାନ୍ ଯାନ୍ - ଆଗେ ଚରଣ ପୂଜା କରୁନ୍ । ତାରପର ପଞ୍ଚତୀର୍ଥ, ଜଗବନ୍ଧୁ ଦର୍ଶନ, ବୈକୁଣ୍ଠ ଦର୍ଶନ, ଓଖାନେ ଶକ୍ତିମତ ଆଟିକା ଦାନ ଦିଏ, ସୁଫଲ କରେ, ରାଜି ଖୁସିତେ ବାଡ଼ି ଯାବେନ । ଆସୁନ- ଏଇଯେ ଆପଣାର ପାଣ୍ଡା, ଗଡ଼୍‌ କରୁନ୍‌-

ବ: ଯା- (ନମସ୍କାର କଲା)

ପଣ୍ଡା- ଜଗବନ୍ଧୁ ମଙ୍ଗଲ କରୁନ୍‌ ।

ଗୁମାସ୍ତା- (ପଣ୍ଡା ପ୍ରତି) ହେଇଟି ଆଗଛାମୁଆଁ ଦୋକାନ ଅଛି । ଗୋଟେ ନଡ଼ିଆ, ପାଣି ଢାଳୁଟେ ଆଣେ - ବେହିପୋ ନାଲିଯାତ୍ରୀକି ଏଇଠି ଓଡ଼ିଆ ପାଠ ପଢ଼େଇବା । ବସା ବେହିପାକୁ ଚକ୍ରତୀର୍ଥ ବାଲିରେ ପହଡ଼େ ।

(ଚାଲିଗଲା)

ଯାତ୍ରୀ- ଆପନାର ନାମ ଶ୍ୟାମସୁନ୍ଦର ସିଂହାରୀ ?

ପଣ୍ଡା- ହଁ,

ଯାତ୍ରୀ- ଅମାର ବାବାକେ ଆପନି ଜାନେନ୍‌ ?

ପଣ୍ଡା- ହଁ, ଭାଲ ରକମ,

ଯାତ୍ରୀ- ନାମ ଜାନେନ୍‌ ?

ପଣ୍ଡା- ହଁ ଗୁମାସ୍ତା ଆସୁ-

ଯାତ୍ରୀ- ଓଁର - ନାମ-ରମାରଞ୍ଜନ-

ପଣ୍ଡା- ହଁ-ଜାନି-

ଯାତ୍ରୀ- ପିତାର ସ୍ୱର୍ଗବାସୀ ହୟେଚେ-

ପଣ୍ଡା- ଜାନି, ଜାନି

(ଗୁମାସ୍ତା ନଡ଼ିଆ ଗୋଟିଏ ପାଣି ଢାଳ ନେଇ ଆସିଲେ)

ଗୁମାସ୍ତା- ହେଇଟି । ଆସୁନ ବାବୁ, କଡ଼ି ଆଛେ ?

ଯାତ୍ରୀ- (କଉଡ଼ି କାଢ଼ି) ଆଚ୍ଛେ ।

ଗୁମାସ୍ତା- ଏଇଖାନେ ରାଖୁନ୍‌ (ପାଣି ଢାଳି ଦେଇ) ପାଧୁଏଦା ଓ ପାଣ୍ଡା ଠାକୁରେର ।

(ପଣ୍ଡା ପ୍ରତି) ମନ୍ତ୍ର ପଢ଼ ।

ଯାତ୍ରୀ- (ତାଳ ଧରି ପାଣି ଢାଳିଲା ପଣ୍ଡା ପାଦରେ)

ପଣ୍ଡା- (ପଢ଼ିଲେ) ପୃଥିବୀ ଯାନି ତୀର୍ଥାନି

ତାନି ତୀର୍ଥାନୀ ସାଗରେ

ସାଗରେ ଯାନି ତୀର୍ଥାନୀ

ବିପ୍ରପାଦେ ସୁଦକ୍ଷିଣା-

ଗୁମାସ୍ତା- ଚରନୋଦକ ସେବାକରେ - ଏ ବାର ଦକ୍ଷିନା ଦାଓ ।

ଯାତ୍ରୀ- (କଉଡ଼ି ପଣ୍ଡାଙ୍କୁ ଦେଲେ)

ପଣ୍ଡା- ବଲୁନ୍‌ -

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର;

ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।

ଗୁମାସ୍ତା- (ଢାଳନେଇ) ଯାନ୍‌, ଏବାର ପଞ୍ଚତୀର୍ଥ, ନେଇଯା’ ମାହାପୁରୁ ! ନାଲି ଯାତ୍ରୀକି ଏଇଥର ହରଗୁଣ ପଢ଼ୋଉ ଥ । ମୋର ତେଣେ ଖେଦେ ପଚ୍ଛିମା ଯାତ୍ରୀ ଅଛନ୍ତି ଯେ - ତାଙ୍କ ଖବର ବୁଝେଁ ।

[ଚାଲିଗଲେ]

ପଣ୍ଡା- (ଯାତ୍ରୀ କି ନେଇ) ଚଲୁନ-

[ଚାଲିଗଲେ]

ଉପସଂହାର

ଜୟଦେବ-ପରାଶର

ପରାଶର- (ଖଣ୍ଡିଏ ପୋଥି ଧରି ପଢ଼ୁଥିଲେ)

ଚିତ୍ତଂ ଚଞ୍ଚଳ ଚଞ୍ଚଳେବ-ଚଟୁଳା ଚେତଶ୍ଛାମତ୍କାରିଣୀ

ପୀୟୂଷ ଦ୍ୟୁତି ମଣ୍ଡଳୀବ ମଧୁରା ସ୍ୱଚ୍ଛ ପ୍ରବାହ ଚ୍ଛଟା ।

ଦୂରା ଭଙ୍ଗୀବ କୁରଙ୍ଗ ଭଙ୍ଗୁର ଦୃଶାମାନନ୍ଦ ସଦାୟିନୀ

ଗୋଷ୍ଠୀ ଶ୍ରୀଜୟଦେବ ପଣ୍ଡିତ କବେଃ ସାବର୍ତ୍ତତେ ନର୍ତ୍ତିତୁମ୍‌ ।

ଅପୂର୍ବ ରଚନା ! ପଦ ଯୋଜନା ଏଡ଼େ ମଧୁର ଯେ ଶୁଣିଲେଇ ‘‘ପୀୟୁଷ ଲହରୀ’’ ନାମ ସାର୍ଥକ ମନା ହୁଏ । କବି ! ଗୀତଗୋବିନ୍ଦ ପରି ତମର ଏ ପୀୟୁଷ ଲହରୀ ମଧ୍ୟ ଅତି ସୁନ୍ଦର ।

(ଗୋଟି କେତେ ପୁଡ଼ା ଲେଉଟାଇ)

ମରୁତ୍‌ କମ୍ପା ପମ୍ପା-କୁଳ-ଲହରୀ ସମ୍ପାତ ଶିଶିରଃ

ଷ୍ଫୁରନାଲ୍ଲୀ ବଲ୍ଲୀ କୁସୁମ ପୁଟ ହଲ୍ଲୀ ଶକ ନଟଃ ।

ସ୍ଫୁରନାଲ୍ଲୀ କାଲ୍ଲୀ ମଧୁର ମଧୁପାଲ୍ଲୀ କବଳୟମ୍‌

ନୟନ୍‌ ମନ୍ଦଂ ମନ୍ଦଂ ତରଳ ତରୁ ବୃନ୍ଦଂ ପ୍ରସରତି ।

ଊଣା ବୋଲି କାହାକୁ କହିବାକୁ ଶକ୍ତି ନାହିଁ ଜୟଦେବ ! ସବୁଗୁଡ଼ିକ ଜଗନ୍ନାଥଙ୍କ ନୈବେଦ୍ୟ । ତୁଳସୀସ୍ତବକ । ସାନ ବଡ଼ ବାରିବାର ଉପାୟ ନାହିଁ ।

ଜୟ- ପରାଶର ! ତୁମେ ପୀୟୁଷ ଲହରୀ ବୋଲି କହୁଚ ନା । ମୁଁ ମନେ କରିଚି ଏଇଟିକୁ କୃଷ୍ଣଲୀଳା ନାଟୀକା ନାଆଁ ଦେଲେ କେମିତି ହୁଅନ୍ତା ?

ପରାଶର- ଉତ୍ତମ ! ଏ ତ ଏକାଙ୍କ ନାଟକ । ତମର କଳ୍ପନାନୁସାରେ ନାମ ଦିଅ, ମନ୍ଦ ନୁହେଁ ।

ପଦ୍ମା- (ଥାଳୀରେ ଫୁଲହାର ଧରି ଆସିଲେ) ବଡ଼ ଦେଉଳକୁ ଯିବା ପରା ! ବେଳ ହେଲାଣି ଯେ ।

ପରାଶର- ହଁ, ଦେବୀ ! (ପୋଥି ବାନ୍ଧି ବସିଲେ)

ଜୟ- ପଦ୍ମା ! ଫୁଲ ମୋତେ ଦିଅ । ତୁମେ ପାଣ୍ଡୁଲିପି ରଖିଦେଇ ଆସ ତ !

ପଦ୍ମା- (ବସି, ବ୍ୟାସାସନ ଓ ପୋଥି ସଜାଡ଼ି ବସିଲେ - ବିମଳା, ରୋହିଣୀ ପ୍ରବେଶ, ତତ୍‌ପଶ୍ଚାତ୍ ପୁରିଆ-ପଦ୍ମା ପୋଥି ନେଇଗଲେ ଘର ଭିତରକୁ)

ପୁରିଆ- (ଜୟଦେବଙ୍କ ନିକଟକୁ ଯାଇ ଫୁଲ ଧରିବାକୁ ହାତ ବଢ଼ାଇଲେ)

ଜୟ- (ପୁରିଆକୁ ଚାହିଁ) ଓ, ହଉ (ଫୁଲ ଥାଳୀ ବଢ଼ାଇଲେ)

 

ଦ୍ୱିତୀୟ ଦୃଶ୍ୟ

ବଡ଼ଦାଣ୍ଡ

(ଭିକାରୀ ଗାଇ ଗାଇ ଚାଲିଛି)

ମନ୍ଦର ଗିରିଧର ଧର ବ୍ରଜସୁନ୍ଦର ହେ

ବାସ ନୀଳକନ୍ଦର ହେ ।

ନନ୍ଦନନନ୍ଦନ ଆନନ୍ଦକନ୍ଦର ହେ ।

ଡରି ମରି ସିନା ମୁଁ ସାଆଁନ୍ତ ବୋଲିଛି ହେ ।

ମନ କହୁନାହିଁ ସାଆନ୍ତ ମୋର

ବଡ଼ପଣେ ବଡ଼ ପତାକା ବାନ୍ଧି ତ

ମୋ ଲାଗି କିଳିଲ ସିଂହଦୁଆର ହେ ।

ନିଦା ପଥର, ମଲି ଏଥର

ବୁଡ଼ିଯିବ ପ୍ରଭୁପଣ ଚାତର

(ଆଉ) ବଡ଼ ବୋଲି କେ କରିବ ଖାତର ହେ ।

ଅଳି ଅଝଟକୁ ଥରିଗଲେ ଛାତି ହେ

ପ୍ରଭୁ ବୋଲାଇବ କେଉଁ ଗୁଣରେ

ବୁଡ଼ି ରହି ନିଜେ ଛପନଭୋଗରେ

ସେବକଜନରେ କରିଲ ପର ହେ ।

ନିଦା ପଥର, ମଲି ଏଥର

ଛଡ଼ାଇ ନେଉଛ ବଢ଼ା ପତର

(ଆଉ) ଫାକାସୀ ଉଡ଼ିଲା ରଖ ଏଥର ହେ ।

 

ଜୟଦେବ-ଶେଷ ଦୃଶ୍ୟ

(ଜଗନ୍ନାଥ ମନ୍ଦିର, ଆରତି ବଢ଼ୁଥିଲା, ବାହାରେ ବାଜା ବାଜୁ ଥିଲା; ଜୟଦେବ, ପରାଶର, ପଦ୍ମା, ରୋହିଣୀ, ବିମଳା, ଗୀତଗୋବିନ୍ଦ ପାଠକରୁଥିଲେ । ପରାଶର ହାତରେ ଗୀତଗୋବିନ୍ଦ ପୋଥି- ଉନ୍ମୁକ୍ତ ମନ୍ଦିରଦ୍ୱାରରୁ ଦେବମୂର୍ତ୍ତି ପରିଦୃଶ୍ୟମାନ)

ଶ୍ରିତକମଳା କୁଚମଣ୍ଡଳ ଧୃତ କୁଣ୍ଡଳ,

କଳିତ ଲଳିତ ବନମାଳ, ଜୟ ଜୟ ଦେବ ହରେ ।

ଦୀନମଣି ମଣ୍ଡଳ ମଣ୍ଡନ ଭବଖଣ୍ଡନଂ

ମୁନି ଜନମାନସ ହଂସ, ଜୟ ଜୟ ଦେବ ହରେ ।

କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ହେ

ଯଦୁକୂଳ ନଳିନ ଦୀନେଶ, ଜୟ ଜୟ ଦେବ ହରେ ।

ମଧୁ ମୁର ନରକ ବିନାଶକ ଗରୁଡ଼ାଶନ

ସୁରକାଳ କେଳିନିଦାନଂ ଜୟ ଜୟ ଦେବ ହରେ ।

(ସହସା କାହାଳୀ ବାଜି ଉଠିଲା, ମନ୍ଦିରରେ ପ୍ରବେଶ କଲେ ପୁରୀର ମହାରାଜା, ଆଗରେ ବେତ୍ର ହସ୍ତରେ ଛାମୁ ଖୁଣ୍ଟିଆ, ପଛରେ ଦେଉଳ କରଣ । ଦେଉଳ କରଣଙ୍କ ହସ୍ତରେ ଅଭିନବ ଗୀତଗୋବିନ୍ଦ ପୋଥି, ରାଜା ଆସି ତନ୍ମୟ ମୁଦ୍ରିତନୟନ ଜୟଦେବଙ୍କ ଆଗେ ଠିଆ ହୋଇଗଲେ, ଦେଉଳ କରଣ ଠାରି ଦେଖାଇ ଚିହ୍ନାଇ ଦେଲେ ସେ ଜୟଦେବ, ରାଜା ନୀରବରେ ଚାହିଁ ରହିଲେ, ଆରତି ଶେଷରେ ଜୟଦେବ ଇତ୍ୟାଦି ପ୍ରଣାମ କରି ଉଠି ଓ ମନ୍ଦିରରୁ ଯିବାକୁ ବାହାରିଲେ ।)

ରାଜା- (ଦେବ ପ୍ରଣାମାନ୍ତେ) ତୁମେ, ତୁମେ ଜୟଦେବ ?

ଜୟ- ହଁ, ମୋ ନାମ ଜୟଦେବ ।

ରାଜା- ରାଜାଦେଶ ଶୁଣି ନାହିଁ ?

ଜୟ- କି ଆଦେଶ ?

ରାଜା- କେହି ଜୟଦେବ କୃତ ଗୀତଗୋବିନ୍ଦ ମୋ ରାଜ୍ୟରେ ପାଠ କରି ପାରିବେ ନାହିଁ ।

ଜୟ- କିନ୍ତୁ, କ୍ଷମା ଦେବେ ମହାରାଜ ! ଜଗବନ୍ଧୁଙ୍କର ତୃପ୍ତି ତାଙ୍କର ଗୁଣାଗାନରେ; ତେଣୁ ତାଙ୍କର ସେବା ଲାଗି-

ରାଜା- ମୋର ଅଭିନବ ଗୀତଗୋବିନ୍ଦ ପଢ଼ିବାକୁ ହେବ । ନଚେତ୍‌-

ଜୟ- ଜଗନ୍ନାଥ ଆଦେଶ ଭିନ୍ନ ଅନ୍ୟାଦେଶରେ ମୁଁ ଗୀତଗୋବିନ୍ଦ ପାଠ ବନ୍ଦ କରିବା ଅସମ୍ଭବ ମହାରାଜ !

ରାଜା- ଉତ୍ତମ ! କିପରି ପ୍ରମାଣ ଚାହଁ ?

ଜୟ- ପ୍ରମାଣ ଜଗବନ୍ଧୁଙ୍କର ଆଦେଶ-

ରାଜା- ପୂଜାପଣ୍ଡା ! ଦୁଇଖଣ୍ଡି ପୋଥି ଶ୍ରୀଚରଣରେ ରଖି ଦ୍ୱାର ବନ୍ଦକର । ପ୍ରଭୁ ନିଜେ ଯାହା ବାଛି ଦେବେ, ଆଜିଠାରୁ ତାହାହିଁ ଶ୍ରୀମନ୍ଦିରରେ ପାଠ କରାଯିବ ।

ପୂ:ପଣ୍ଡା- (ପୋଥି ଦୁଇଖଣ୍ଡି ଦେଇ) ମଣିମା ! (ଆଦେଶ ପାଳନ କଲେ)

ରାଜା- କିନ୍ତୁ ଜୟଦେବ ! ପ୍ରଭୁ ତୁମର ରଚନା ଗ୍ରହଣ ନ କଲେ ମୋ ରାଜ୍ୟରେ ତୁମ ବାସ ଅସମ୍ଭବ ! ଆଉ ଆଜିଠାରୁ ଯେ ତୁମର ଗୀତଗୋବିନ୍ଦ କୌଣସି ସ୍ଥାନରେ ଗାଇବ ତାର କଠିନ ଶାସ୍ତି, ଜାଣ ? ତୁମର ଏହି ଗୀତଗୋବିନ୍ଦ ପାଠରେ ପ୍ରଭୁ ଅସନ୍ତୁଷ୍ଟ ହୋଇ ମନ୍ଦିର ଛାଡ଼ି ଯାଆନ୍ତି ।

ଜୟ- ପ୍ରଭୁ ? ଅସନ୍ତୁଷ୍ଟ ! ଗୀତଗୋବିନ୍ଦରେ ? ସ୍ୱହସ୍ତରେ ଦିନେ ଯାହା ସେ ପୂରଣ କରିଥିଲେ ।

ରାଜା- ହଁ, ହଁ, ଅସନ୍ତୁଷ୍ଟ । ତେଣୁ ଭୋଗରେ ବିଳମ୍ବ ଘଟୁଛି, ପ୍ରଭୁ ଚଳୁରେ ଦର୍ଶନ ଦେଉ ନାହାନ୍ତି, ତୁମର ଏ ଅପରାଧ ଅମାର୍ଜନୀୟ ।

ଜୟ- (ଅଶ୍ରୁ ନୟନରେ କରଯୋଡ଼ି) ଜଗବନ୍ଧୁ ! ଏ କି କଥା ଶୁଣାଇଲ ପ୍ରଭୁ !

ରାଜା- [ପୂଜା ପଣ୍ଡାଙ୍କୁ] ଦ୍ୱାର ଖୋଲ । ସମସ୍ତେ ଦେଖନ୍ତୁ ପ୍ରଭୁ କେଉଁ ପୋଥି ଗ୍ରହଣ କଲେ ।

ପୂ:ପ- (ଦ୍ୱାର ଫିଟାଇ ଦେଲେ, ଜୟ ଜଗବନ୍ଧୁ ଶବ୍ଦ ଭିତରେ ଉପର ତଳ ହୋଇ ଦୁଇ ଖଣ୍ଡ ପୋଥି ଦେଖି ରାଜା ଚିହ୍ନି ପାରିଲେ । ପୂଜାପଣ୍ଡା ପୋଥି ପାଖେ ଠିଆ ହେଲେ)

ରାଜା- ସେହିପରି ଘେନି ଆସ । (ପୂଜାପଣ୍ଡା ପୋଥି ନେଇ ଆସି ରାଜାଙ୍କ ସମ୍ମୁଖରେ ଦେଖାଇଲେ ।)

ଧନ୍ୟ ଭକ୍ତ ଜୟଦେବ !

ଉତ୍କଳଗୌରବ ତୁମ୍ଭେ, ଉତ୍କଳର ଗର୍ବ !

ସ୍ୱପ୍ନେ ମୁଁ ଆଦେଶ ପାଇ ମଣୁଥିଲି ମିଥ୍ୟା ।

ଏବେ ସ୍ୱଚକ୍ଷୁରେ, ସର୍ବ ସମକ୍ଷରେ,

କହିଦେଲେ ପ୍ରଭୁ-

ଶ୍ରେଷ୍ଠ ଏକା ଶ୍ରୀଗୀତଗୋବିନ୍ଦ

ଶୁଣ ଭକ୍ତ ! ଯେ ଆଦେଶ ପାଇଛି ମୁଁ ସ୍ୱପ୍ନେ,

ଦ୍ୱାଦଶ ସର୍ଗ-ସମ୍ପୂର୍ଣ୍ଣ ଗୀତଗୋବିନ୍ଦରେ ତବ,

ଦ୍ୱାଦଶଟି ଶ୍ଲୋକ ମୋର ପାଇବ ହେ ସ୍ଥାନ ।

କଣ୍ଠେ କଣ୍ଠେ ଗୀତ ହେବ ତାହା ।

ଜୟଦେବ- ସାଧୁ ସାଧୁ ମହାରାଜ !

ସମସ୍ତେ- ଜୟ ଜଗନ୍ନାଥ !

ରାଜା- ପୂଜାପଣ୍ଡାଏ !

ଜଗନ୍ନାଥଙ୍କର ଶ୍ରୀଚରଣ ଛୁଆଇଁ ଶିରୋପା ଆଣ । ମେକାପଙ୍କୁ କହ, ଦିଅଁଙ୍କ ଗନ୍ତାଘରୁ ସୁନା ବେଣ୍ଟ ଚଅଁର ଆଣନ୍ତୁ, ଶୀଘ୍ର ।

ପୁ- ମହାରାଜା !      (ଚାଲିଗଲେ)

ରାଜା- ଜୟଦେବ କୃତ ଗ୍ରନ୍ଥ

ସମାପ୍ତ ହୋଇବ

ଏହି ରଚନାରେ ମୋର ।

‘‘ଇତ୍‌ଥଂ କେଳିତତୀର୍ବିହୃତ୍ୟ ଯମୁନାକୂଳେ ସମଂ ରାଧୟା

ତଦ୍ରୋମାବଳି ମୌକ୍ତିକାବଳି ଯୁଗେ ବେଣୀଭ୍ରମଂ ବିଭ୍ରତି

ତତ୍ରାହ୍ଲାଦି କୁଚ ପ୍ରୟାଗ ଫଳୟୋର୍ଲି ସ୍ପାବତୋହସ୍ତୟୋ-

ର୍ବାପାରଃ ପୁଋଷୋତ୍ତମସ୍ୟ ଦଦତୁଂ ଷ୍ପୀତାଂ ମୁଦାଂ ସଂପଦମ୍ ।

ଭକ୍ତବର । [ପୋଥି ଜୟଦେବଙ୍କୁ ବଢ଼ାଇ]

ଶ୍ରୀ କରରେ ତବ

ଯୋଗ କରି ଶ୍ଲୋକ ମମ, ପାଣ୍ଡୁଲିପି ମଧ୍ୟେ

ଧନ୍ୟ କର ରଚନା ମୋହର ।

ଅନୁଗ୍ରହେ ତବ-

କୁସୁମର ସଙ୍ଗ ଲଭି; ପଟ୍ଟ ଯଥା ନିସ୍ତରଇ କବି !

ସେହିମତ-

ଦେବତା ନୈବେଦ୍ୟ-

ଏହି ତବ ଗୀତଗୋବିନ୍ଦର ସୁପବିତ୍ର ସଙ୍ଗ ଲଭି

ସଫଳ ହେଉ କାମନା, ସାଧନା ମୋହର ।

ପରା- ଧନ୍ୟ ମହାରାଜ !

ଧନ୍ୟ ତବ ଭକ୍ତି !

(ପୂଜାପଣ୍ଡା ଶିରୋପା ଇତ୍ୟାଦି ଆଣିଲେ)

ରାଜା- [ଶାଢ଼ୀ ଧରି]

କବି ଜୟଦେବ !

ଆଉ ଏକ ଅନୁରୋଧ ମୋର

ଆଜିଠାରୁ ଉତ୍କଳର ରାଜସଭା

ହେଉ ସମ୍ମାନିତ

ସଭାକବି ରୂପେବରି ତୁମ୍ଭଙ୍କୁ ହେ କବି !

ସ୍ୱହସ୍ତରେ ଶିରେ ତବ ବାନ୍ଧି ଏ ଶିରୋପା

ଗୌରବ ମଣୁଛି ଆଜି ଉତ୍କଳ ନରେଶ ।

ରଥେ, ଚାପେ, ଶ୍ରୀମନ୍ଦିରେ

ଆଜିଠାରୁ ଏ ଚାମର ଦିଆଗଲା ଶିରେ ।

ଆଉ ଶୁଣ ସର୍ବେ, -ଉପସ୍ଥିତ ଯେତେ

ମାଦଳାପାଞ୍ଜିରେ ମଧ୍ୟ ଲେଖା ରହୁ ଏହା ।

ଶ୍ରୀମନ୍ଦିରେ ଆଜି, ଏହି ମୁହୂର୍ତ୍ତରୁ

ଶ୍ରୀଗୀତଗୋବିନ୍ଦ ନିତ୍ୟ ଶିଲେଉ ବଢ଼ିବ ।

ଯାବତ ଚନ୍ଦ୍ରାର୍କେ

ଏ ନୀତିର ନୋହିବ ଖଲର ।

ଗାଅ ଭକ୍ତ ! ଗାଅ କବିରାଜ ଜୟଦେବ !

ଗାଅ ଦେବୀ ସତୀ ପଦ୍ମାବତୀ !

ଗାଅ ପରାଶର ଆଦି ଯେତେ ଭକ୍ତ

ଉପସ୍ଥିତ ଶ୍ରୀମନ୍ଦିରେ ଆଜି ।

ଗାଅ ସର୍ବେ ଶ୍ରୀଗୀତଗୋବିନ୍ଦ ।

ସମସ୍ତ- ସାଧୁ ! ସାଧୁ ! ମହାରାଜ ! ଜୟ ଜଗନ୍ନାଥ !

-ଗୀତ-

ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ

ମଧୁ କରନିକରମ୍ବିତ କୋକିଳ କୂଜିତ କୁଞ୍ଜକୁଟୀରେ ।

ବିହରତି ହରିରିହ ସରସ ବସନ୍ତେ,

ନୃତ୍ୟତି ଯୁବତିଜନେନ ସମଂସଖି, ବିରହିଜନସ୍ୟ ଦୁରନ୍ତେ ।। ଧୃବ ।

ଉନ୍ମଦମଦନମନୋରଥ ପଥିକବଧୂଜନ ଜନିତ ବିଳାପେ,

ଅଳିକୁଳସଂକୁଳ କୁସୁମସମୂହ ନିରାକୁଳ ବକୁଳ କଳାପେ ।

ଶ୍ରୀଜୟଦେବ ଭଣିତମିଦମୃଦୟତି ହରିଚରଣସ୍ମୃତି ସାରଂ

ସରସ ବସନ୍ତ ସମୟ ବନ ବର୍ଣ୍ଣନ ମନୁଗତ ମଦନବିକାରମ୍ଂ

(ଜଗନ୍ନାଥ ମୂର୍ତ୍ତି ପରିବର୍ତ୍ତେ ଶ୍ରୀକୃଷ୍ଣ ଆବିର୍ଭାବ)

ଶ୍ରୀ ଶୁଭମସ୍ତୁ