ଅଚ୍ୟୁତାନନ୍ଦଙ୍କ ଚଉତିଶା

ଅଚ୍ୟୁତାନନ୍ଦ ଦାସ

 

ଜଗନ୍ନାଥତତ୍ତ୍ୱ ଚଉତିଶା

(କବିଙ୍କର ଏହା ଅନ୍ୟ ଏକ ଶ୍ରେଷ୍ଠ ଚଉତିଶା । ନାମର ମାହାତ୍ମ୍ୟ । ଜଗନ୍ନାଥ ତତ୍ତ୍ଵର ମହିମା, ଭଗବାନଙ୍କ କୀର୍ତ୍ତିରାଜିକୁ କବି ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏଠାରେ ଆଲୋଚନା କରିଛନ୍ତି । କ୍ଷୁଦ୍ର ହେଲେ ହେଁ ଏହାର ରଚନା ଉଚ୍ଚକୋଟିର ।)

 

କହଇ ଚୈତନ୍ୟ ବାରେ ଶୁଣ ରେ ମନାଇ

କ୍ଷୀରସିନ୍ଧୁ ମଧ୍ୟେ ଦେଖ କଳ୍ପବଟ ଛାଇ ।୧।

ଗୁପତ ହୋଇଛି ମହାନିତ୍ୟ ଯେଉଁଠାଇ,

ଘନ ଘନ ହୋଇ ନିଦ ମାଡ଼ଇ ସେଠାଇଁ ।୨।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମରେ ହେଜ,

ଚାରିଦ୍ୱାରେ ଆବୋରି ରହିଛି ଚାରି ବେଦ ।୩।

ଛାମୁ ଦର୍ଶନକୁ ବାଟ ପଡ଼ିଛି ସଧୀରେ,

ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ।୪।

ଝୀନ ଯେ ପତନୀ ଦେଖ ତାଙ୍କ ଅଙ୍ଗେ ଶୋଭା,

ନିତ୍ୟ କିଶୋରୀ ରାଧିକା ତାଙ୍କ ଅଙ୍ଗ ପ୍ରଭା ।୫।

 

ଭାବାର୍ଥ- (୧-୫) କବି ଅଚ୍ୟୁତାନନ୍ଦଙ୍କ ପୂର୍ବ ଚଉତିଶା ଭଳି ଉକ୍ତ ଚଉତିଶାଟି ଚୈତନ୍ୟ- ମନ ସମ୍ବାଦ ଆଧାରରେ ରଚିତ । ଚୈତନ୍ୟ କହୁଛି- ରେ ମନ, ମନ ଦେଇ ଶୁଣ, କ୍ଷୀରସିନ୍ଧୁ ମଧ୍ୟରେ କଳ୍ପବଟ ଛାଇକୁ ଦେଖ । ଅର୍ଥାତ୍ ସ୍ଵୟଂ ଭଗବାନ କ୍ଷୀର ସାଗର ମଧ୍ୟରେ ବିଜେ କରିଛନ୍ତି । ମହାନିତ୍ୟ ସେହିଠାରେ, ଗୁପ୍ତରେ ରହିଛନ୍ତି । ବାରମ୍ବାର ନିଦ ମାଡ଼ି ଆସୁଛି । ମହାପ୍ରଭୁଙ୍କ ତେଜ, ମହିମା ଅପାର । ସ୍ଵୟଂ ଜଗନ୍ନାଥ ଯେଉଁଠାରେ ବିଜେ କରୁଛନ୍ତି, ସେଠାରେ ଚାରି ଦିଗ- ଚାରି କବାଟ- ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଚାରି ଦିଗର ସମାଗମ ଘଟିଛି ।

 

ରେ ମନ, ପ୍ରଭୁ ଜଗନ୍ନାଥ ରତ୍ନସିଂହାସନ ଉପରେ ବିଜେ କରିଛନ୍ତି । ଛାମୁଙ୍କ ଦର୍ଶନ ପାଇଁ ବାଟ ରହିଛି । ଧୀର ଭାବରେ ସେଠାକୁ ଯାଇ ଦର୍ଶନ କର । ଝାନପତନୀ ପରିଧାନ କରି ସେ ଶୋଭା ଦିଶୁଛନ୍ତି । ନିତ୍ୟ କିଶୋରୀ ରାଧିକା ତାଙ୍କ ଅଙ୍ଗ ଶୋଭାକୁ ବଢ଼ାଉଛନ୍ତି ।

 

ଟାକି ହର ବ୍ରହ୍ମା ଯାକୁ କରିଛନ୍ତି ଆଶ,

ଠୁଳ ଶୂନ୍ୟ ପରେ ଦେଖ ଲାଗିଛି ରାହାସ ।୬।

ଡାକହାକ ଶବଦ ନିର୍ଣ୍ଣୟ ଯେଉଁଠାଇଁ,

ଡୋଳା ସମାଧିକୁ ଚାହାଁ ଢୋଳାଇବାକୁ ନାହିଁ ।୭।

ନାଦରେ ବିନ୍ଦୁକୁ ଯେବେ ପାରିବୁ ମିଶାଇ,

ତିନି ମୂର୍ତ୍ତି ଏକ ବ୍ରହ୍ମ ଦେଖିବୁ ସେଠାଇଁ ।୮।

ଥୟେ କରି ମନ ନେଇ ଭୂରୂମଧ୍ୟେ ଭର,

ଦୟା, କ୍ଷମା, ଶାନ୍ତି ହୋଇ ଦାସୀ ଅଙ୍ଗ ଧର ।୯।

ଧର୍ମ ଅର୍ଥ କାମ ମୋକ୍ଷ ହେଉଅଛି ଦୂର,

ନେବା ଆଣିବାକୁ ଆଉ ନାହିଁ ଯେ ବିଚାର ।୧୦।

ପାଣି ନାହିଁ ପଙ୍କ ନାହିଁ ମାଡ଼ୁଛି ଲହଡ଼ା,

ଫୁଲ ଗୋଟି ଫୁଟିଅଛି ସହସ୍ର ପାଖୁଡ଼ା ।୧୧।

ବାରିବୁ ବାସନା ଯେବେ ଗୁରୁ ଆଜ୍ଞା ପାଇ,

ଭ୍ରମର ଚୁମ୍ବିବ ତେବେ କର୍ଣ୍ଣିକାରେ ରହି ।୧୨।

 

ଭାବାର୍ଥ- (୬-୧୨) ରେ ମନ, ଯାହାଙ୍କୁ ହର, ବ୍ରହ୍ମା ଟାକି ବା ଚାହିଁ ରହିଛନ୍ତି, ସେ ପରଂବ୍ରହ୍ମ ଶୂନ୍ୟରେ ବିଜେ କରୁଛନ୍ତି, ସେଠାକୁ ଦେଖେ, ସେଠାରେ ରାହାସ ଲୀଳା ଲାଗିଛି । ଡାକହାକ ଶବ୍ଦରେ ସେଠାରେ ଉଛୁଳି ପଡ଼ୁଛି । ରେ ମନ ଡୋଳା ସମାଧି (ପ୍ରଭୁଙ୍କର ଚକାନୟନ)କୁ ଚାହାଁ । ଢୋଳାଇବୁ ନାହିଁ ବା ଆଖିରେ ପଲକ ପକାଇବୁ ନାହିଁ । ନିର୍ଲିପ୍ତ ନୟନରେ ଚାହିଁବୁ । ଜଗନ୍ନାଥ ହେଉଛନ୍ତି ନାଦବ୍ରହ୍ମ । ତୁ ବିନ୍ଦୁ ପ୍ରଭୁଙ୍କ ଆତ୍ମାରେ ମିଶିଯାଇ ଏକାକାର ହୋଇଯିବୁ । ତେବେ ତିନି ମୂର୍ତ୍ତି ବା ତିନି ଠାକୁର ଏକ ବ୍ରହ୍ମକୁ ସେଠାରେ ଦେଖିବୁ ।

 

ରେ ମନ, ମନକୁ ଥୟ କରି ତାକୁ ଭୂରୁ ମଧ୍ୟରେ ରଖ ଅର୍ଥାତ୍ ଚକ୍ଷୁ ମଧ୍ୟରେ ପ୍ରଭୁଙ୍କୁ ଧରି ରଖ । ଦାସୀ ଅଙ୍ଗ ହୋଇ ଦୟା, କ୍ଷମା, ଶାନ୍ତିକୁ ଆଚରଣ କର । ପ୍ରଭୁଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେ । ଧର୍ମ, ଅର୍ଥ, କାମ, ମୋକ୍ଷ- ଏହି ଚତୁର୍ବଗ ଏବେ ଦୂର ହେଉଛି । ସେ ସବୁ ନେବା, ଆଣିବା ବିଚାର ସରିଯାଉଛି ବା ଆଉ ନାହିଁ । ରେ ମନ, ଜଗନ୍ନାଥଙ୍କ ମହିମା ଅପାର । ଯେଉଁଠି ସେ ବିଜେ କରିଛନ୍ତି । ପାଣି, ପଙ୍କ ନାହିଁ । ଲହରୀ ମାଡ଼ୁଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସମୁଦ୍ରର ଲହଡ଼ି ଭାଙ୍ଗୁଛି । ଏହି ସମୁଦ୍ର ମଧ୍ୟରେ ଫୁଲଟିଏ ଯେମିତି ଫୁଟିଛି । ତା’ର ସହସ୍ର ପାଖୁଡ଼ା । ପ୍ରଭୁ ଜଗନ୍ନାଥ ଫୁଲ ହୋଇ, କ୍ଷୀର ସମୁଦ୍ରରେ ଫୁଟିଛନ୍ତି । ଉପରେ ସହସ୍ର ନାଗର ଫଣା ଫୁଲର ସହସ୍ର ପାଖୁଡ଼ା ପରି ଦେଖାଯାଉଛି । ରେ ମନ, ଗୁରୁଙ୍କ ଆଜ୍ଞା ପାଇ । ଅର୍ଥାତ୍ ହୃଦୟ ମଧ୍ୟରେ ତୁ ପ୍ରଭୁଙ୍କୁ ଖୋଜ । ତାଙ୍କରି ଦୟା ହେଲେ ହିଁ ଫୁଲର ବାସନା ବା ମହିମାକୁ ହୃଦୟଙ୍ଗମ କରିପାରିବୁ । ଭ୍ରମର (କଳାଠାକୁର) ଚୁମ୍ବିବ ବା ଜଗନ୍ନାଥ ତୋ ପ୍ରତି ଦୟାବାନ ହେବେ ।

 

ମଲା ମଲା ବୋଲୁଛନ୍ତି ଶୁଣରେ କହ୍ନାଇଁ,

ଜଗତକୁ ମଲା ଜୀବ ରୋମେ ଟଳିନାହିଁ ।୧୩।

ର ଏଟି ରାଧିକାରୂପ ନିତ୍ୟରେ ରାଉଛି,

ଲୟେ କରି ଭୁଷଣ୍ଡ ଅମର ହୋଇଅଛି ।୧୪।

ବାଇ କି ପରଚେ ଯେବେ ହୋଇବୁ ସୁମନ,

ଶିଶୁବେଦ ଘରେ ଦେଖ ସୁଆଙ୍ଗ ଭଜନ ।୧୫।

ସ୍ୟ ଟି ଯେ ଶେଷଦେବ ଫଣିମଣି ପରେ,

ସ୍ୱରୂପରେ ଥାଇ ଗୋପୀ ଅରୂପ ଦେଖିଲେ ।୧୬।

ହ ଟି ଅଟନ୍ତି ହରି ହୃଦେ ତାଙ୍କୁ ଚିହ୍ନ,

ହରି-ଗୁଣି ମିଶାଇବୁ ସହଜ ସୂତ୍ରେଣ ।୧୭।

କ୍ଷମାନିଧି ପାଦପଦ୍ମେ ପଶ ଯା ଶରଣ,

ଛାର ବାଇ ଦାସ ଟୋକା ଅଚ୍ୟୁତ ଅଧମ ।୧୮।

 

 

 

ଭାବାର୍ଥ- (୧୩-୧୮) ରେ ମନ, ରେ କହ୍ନାଇ, ଜଗତ ଅନିତ୍ୟ । ମର ମର ବୋଲି ବା ମଲା ମଲା ବୋଲି ସମସ୍ତେ ଚିତ୍କାର କରୁଛନ୍ତି । ପ୍ରଭୁଙ୍କ ପ୍ରତିଟି ଲୋମରେ ଏ ଜଗତ ବିଦ୍ୟମାନ । ତାଙ୍କ ଶରୀରରେ ଜୀବଜଗତ ଭରି ରହିଛି । ର’ର ଏଠାରେ ରାଧିକା । ସେ ନିତ୍ୟରେ ବାସ କରିଛନ୍ତି । ନିତ୍ୟକୁ ଲୟ କରି ଭୂଷଣ୍ଡ କାକ ଅମର ହୋଇଛି । ରେ ମନ, ମନକୁ ଥୟ କରି ଦେଖ, ସେଠାରେ ଅନବରତ ସୁଆଙ୍ଗ, ଭଜନ ଚାଲିଛି । ତ କର୍ଣ୍ଣରେ ଶୁଣି ପାରୁନାହୁଁ । ‘ସ୍ୟ’ର ଅର୍ଥ ଶେଷଦେବ । ସର୍ପର ମଣି ପରେ ବିରାଜମାନ କରୁଛନ୍ତି ପ୍ରଭୁ ବଳରାମ । ‘ହ’ର ଅର୍ଥ ‘ହରି । ରେ ମନ, ତାଙ୍କୁ ହୃଦୟ ମଧ୍ୟରେ ରଖ ଅର୍ଥାତ୍ ଚିହ୍ନ । ତାଙ୍କ ଗୁଣ ବା ମହିମାକୁ ଗାନକରି ପ୍ରଭୁଙ୍କ ଦେହରେ ନିଜକୁ ମିଶାଇ ଦେ । ରେ ମନ, କ୍ଷମାନିଧି ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ଶରଣ ପଶ । ସେ ହିଁ ତୋତେ ଆଶ୍ରୟ ଦେବେ । ଛାର ଅଚ୍ୟୁତ ଅଧମ ଜଗନ୍ନାଥଙ୍କ ତତ୍ତ୍ଵକୁ କହିଲା ।

 

ଶରୀରଭେଦ ଚଉତିଶା

(ରାଗ-ରାମକେରୀ)

(ଷୋଡ଼ଶ ଶତାବ୍ଦୀ ‘ପଞ୍ଚସଖା’ ଯୁଗର ଅନ୍ୟତମ କବି । ବହୁ ଗୀତା, ସଂହିତା, ପଟଳ, ପୁରାଣ, ଚଉତିଶାର ସ୍ରଷ୍ଟା । କବି ଥିଲେ ପ୍ରଭୁ ଜଗନ୍ନାଥଙ୍କର ପରମ ସେବକ । ଧର୍ମ, ଦର୍ଶନ, ଉପରେ ଆଧାରିତ ତାଙ୍କର ସୃଷ୍ଟି ସମୂହ । ହରିବଂଶ, ଶୂନ୍ୟସଂହିତା, ଗୋପାଳଙ୍କ ଓଗାଳ, ନିତ୍ୟରାହାସ, ଅନନ୍ତପୋଈ, ବ୍ରହ୍ମବଟ ସଂହିତା, ତନ୍ତ୍ର ସଂହିତା, ମନ୍ତ୍ର ସଂହିତା, ଦଶପଟଳ ପ୍ରଭୃତି ରଚନାବଳୀ ତାଙ୍କର ରହିଛି । କବିଙ୍କ କେତେକ ଚଉତିଶା ମଧ୍ୟରୁ ‘ଶରୀର ଭେଦ ଚଉତିଶା’ ଏକ ଉତ୍କୃଷ୍ଟ ରଚନା । ପ୍ରଭୁଙ୍କ ଅପାର ମହିମା, ଜୀବପରମ ତତ୍ତ୍ୱ ଏଥିରେ ବର୍ଣ୍ଣିତ ।)

 

କର କୃଷ୍ଣନାମ ଭଜନ କହେ ଶ୍ରୀଚଇତନ

ଖିତିର ମଧ୍ୟରେ ଖେଳନ୍ତି ଅନାଦି ପୂର୍ଣ୍ଣବ୍ରହ୍ମ ।୧।

ଗଳି ଗଳି ମନ ଦେଖ ହୋ ଗୋଲା ହାଟ ଉପର

ଘେରି ବସିଛନ୍ତି ଗୋପିକା କୃଷ୍ଣଛନ୍ତି ମଧ୍ୟର ।୨।

ଉଦୟ ଭାନୁ ପରାୟେ ତାଙ୍କ ଦିଶଇ ଜ୍ୟୋତି

ଚିତ୍ତକୁ ନିଶ୍ଚଳେ ରଖିଲେ ଦେଖ ଦିବ୍ୟ ମୂରତି ।୩।

ଛନକା ନୁହ ତୁ ମନ ହୋ ଛାତି ଦମ୍ଭରେ ରହ

ଜଳ ପବନ ମଧ୍ୟରୁ ତାହାଙ୍କୁ ଆବୋରି ନିଅ ।୪।

ଝଳିଲା ସୁବର୍ଣ୍ଣ ପରାୟେ ତାଙ୍କ ଦିଶଇ ଜ୍ୟୋତି

ନିର୍ମଳ ହୃଦୟ ହୋଇଲେ ଦେଖ ଦିବ୍ୟ ମୂରତି ।୫।

ଟାଣ ତୁ ନକର ମନ ହୋ ଟେକ ମନପବନ

ଠିକ କର ଯାଇ ଶୂନ୍ୟରେ ବିଜେ ପରମବ୍ରହ୍ମ ।୬।

ଡକାଉଛି କାଳ ରହିଣ ଡଗରକୁ ଜଣାଅ

ଢଳ ଢଳ ବେନି ନୟନ ପଶ୍ଚିମକୁ ଫେରାଅ ।୭।

ଅଣହେଳା ଆଉ ନକର ଅଣ ଆତ୍ମାକୁ ଚିହ୍ନ

ତ୍ରିପୁରକୁ ଲୟେ ଲଗାଇ ତିନିପୁରକୁ ଜିଣ ।୮।

ଥୟ କର ମନପବନ ଥାନ ଅନାହତରେ

ଦୃଷ୍ଟି କି ନିଶ୍ଚଳେ ରଖିଲେ ଦେଖାଦେବେ ତତ୍‌କାଳେ ।୯।

ଧରୁ ଧରୁ ବଣା କରୁଛି ତାଙ୍କୁ ଧରିଣ ଥିବୁ

ନୟନ ପିତୁଳା ଦୁଇଙ୍କି କେବେ ହେଁ ନ ଢାଙ୍କିବୁ ।୧୦।

ପରମାନନ୍ଦ ହିଁ ପୂରିଛି ଅପ୍ରତେ ତୁ ନକର

ଫୁଣ୍ଟାବନ ପରାୟେ ତାହାଙ୍କୁ ତୋଳିଣ ଧର ।୧୧।

 

ଭାବାର୍ଥ- (୧-୧୧) ଚଇତନ-ମନ ସମ୍ବାଦକ୍ରମରେ ଚଇତନ କହିଲେ- ରେ ମନ, ସର୍ବଦା କୃଷ୍ଣନାମକୁ ଭଜନ କର । ଖିତି (କ୍ଷିତି) ଜଗତ ମଧ୍ୟରେ ଅନାଦି ପୂର୍ଣ୍ଣବ୍ରହ୍ମ ଲୀଳାଖେଳ କରୁଛନ୍ତି । ରେ ମନ ଗଳିଗଳି ଦେଖ, ଲୀଳା ଖେଳ (ଗୋଲାହାଟ) ମଧ୍ୟରେ କୃଷ୍ଣ ବସିଛନ୍ତି ଓ ଗୋପିକାମାନେ ତାଙ୍କୁ ଘେରି ରହିଛନ୍ତି । ତାଙ୍କ ଜ୍ୟୋତି ଉଦୟ ସୂର୍ଯ୍ୟର ତେଜ ପ୍ରାୟ ଦେଖାଯାଉଛି । ରେ ମନ, ଚିତ୍ତକୁ ନିଶ୍ଚଳ ରଖ, ତା’ ହେଲେ ପ୍ରଭୁଙ୍କର ସେହି ଦିବ୍ୟମୂର୍ତ୍ତିକୁ ଦର୍ଶନ କରିବୁ । ଛନକା ହୁଅ ନାହିଁ । ଛାତିକୁ ଦମ୍ଭ କର । ଜଳ, ପବନ, ଶୂନ୍ୟ-ସବୁଠି ସେ ବିଦ୍ୟମାନ । ଜଳ, ପବନ ମଧ୍ୟରୁ ତାହାଙ୍କୁ ଆବୋରି ନିଅ ।

 

ରେ ମନ, ପ୍ରଭୁଙ୍କ ଜ୍ୟୋତି ଝଳିଲା ସୁବର୍ଣ୍ଣ ପରି ଦେଖାଯାଉଛି । ସମସ୍ତେ ତାଙ୍କୁ ଦେଖି ପାରିବେ ନାହିଁ । ତେଣୁ ତୁ ନିର୍ମଳ ହୃଦୟ ହୁଅ । ତା’ ହେଲେ ଯାଇ ତାଙ୍କ ଦିବ୍ୟ ମୂର୍ତ୍ତିକୁ ଦେଖୁପାରିବୁ । ରେ ମନ, ଶୂନ୍ୟ ପ୍ରଭୁ ପରଂବ୍ରହ୍ମ ବିଜେ କରିଛନ୍ତି । ମନକୁ ଊଣା କର ନାହିଁ । ମନ ପବନରେ ଶୂନ୍ୟକୁ ଯିବୁ । ତୋତେ କାଳ ଡାକିଲାଣି, ଡଗର (ଠାକୁର)ଙ୍କୁ ଜଣାଅ । ଢଳଢଳ ଦୁଇ ଆଖିକୁ ପଶ୍ଚିମ ଆଡ଼କୁ ଢାଳ ଅର୍ଥାତ୍ ଠାକୁରଙ୍କ ଆଡ଼କୁ ଢାଳ । ରେ ମନ, ଅଣ ଆତ୍ମାକୁ ଚିହ୍ନ । ଏଥିରେ ଆଉ ଅଣହେଳା କର ନାହିଁ । ତିନିପୁର (ତିନିଠାକୁର)ଙ୍କୁ ମନ ଲଗାଇ ଡାକିଲେ ତିନିପୁରକୁ ଜିଣିଯିବୁ । ମନପବନକୁ ଥୟ କର । ନିଶ୍ଚଳ ଦୃଷ୍ଟିରେ ଦେଖିଲେ ପ୍ରଭୁ ତତ୍‌କାଳ ଦେଖାଦେବେ । ସେ ବଣା ଠାକୁର । ସହଜରେ ଧରା ଦିଅନ୍ତି ନାହିଁ । ଧରୁ ଧରୁ ବଣା କରୁଛି । ତାଙ୍କୁ ଧରିଥିବୁ । କଦାପି ଛାଡ଼ିବୁ ନାହିଁ । ତାଙ୍କୁ ଦେଖିଲା ବେଳେ ଦୁଇ ଚକ୍ଷୁକୁ କେବେହେଲେ ଢାଙ୍କିବୁ ନାହିଁ । ଅର୍ଥାତ୍ ସର୍ବଦା ତାଙ୍କୁ ଅପଲକ ନେତ୍ରରେ ଚାହିଁ ରହିଥିବୁ । ରେ ମନ, ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ପରମାନନ୍ଦ ହିଁ ପୂରି ରହିଛନ୍ତି, ଏ କଥାକୁ ତୁ ଅବିଶ୍ୱାସ କରନାହିଁ । ତାଙ୍କୁ ଆଗ୍ରହରେ କୋଳେଇ ନିଅ । ତା’ ହେଲେ ଭବସାଗରରୁ ପାର ହେବୁ ।

 

ବସିଥିବୁ ବଣା ନୋହିବୁ ବହୁ ବିଳମ୍ବ ସେହି

ଭୟ ଛାଡ଼ିହେଲେ ନିର୍ଭୟ ଆସି ପାଶେ ମିଳଇ ।୧୨।

ମତ୍ତ ଭଙ୍ଗି ପରି ଆପଣେ ଝୁଲି ଝୁଲି ଆସନ୍ତି

ଜଳପବନର ମଧ୍ୟରେ ରୂପ ପ୍ରକାଶ ହୋନ୍ତି ।୧୩।

ରଙ୍ଗ-ଅଧରଙ୍କୁ ଏଠାରେ କେହି ଦେଖିଛ ପୁଣ

ଲାବଣ୍ୟ ମୂରତି ହୁଅନ୍ତି ତାଙ୍କ ତେଜ ଘାତେଣ ।୧୪।

ବହିଗଲା ନଦୀ ପରାୟେ ବହିଯାଉ ଅଛନ୍ତି

ଶ୍ରୀଚରଣ ଆଣ୍ଟେ ଧଇଲେ ଚକିତରେ ରହନ୍ତି ।୧୫।

ଶେଷ-ଅଙ୍ଗ କୃଷ୍ଣ ଅଙ୍ଗ ଯେ ସେ ତ ଅଭେଦ ଦୁଇ

ଶୂନ୍ୟରୂପୀ ହୋଇଅଛନ୍ତି ତହୁଁ ରସ ଗଡ଼ଇ ।୧୬।

ହଜ ଯାଇ ମନ ସେ ରସେ ରସ ଅପ୍ୟାନ କର

ଛାର ଅଧମ ଅଚ୍ୟୁତକୁ ଭବସାଗରୁ ତର ।୧୭।

 

ଭାବାର୍ଥ- (୧୨-୧୭) ରେ ମନ, ଲକ୍ଷ ଲକ୍ଷ ବର୍ଷ ଧରି ମୁନି ଋଷିମାନେ ତାଙ୍କୁ ପାଇବା ପାଇଁ ତପସ୍ୟା କରୁଛନ୍ତି । ସେ କିନ୍ତୁ ଦେଖା ଦେଉନାହାନ୍ତି । ଅଥଚ ଭକ୍ତି ଭାବରେ ବନ୍ଧା ଭକ୍ତକୁ ନିମିଷକ ମଧ୍ୟରେ ଦେଖା ଦେଇ ନିଜର କରନ୍ତି । ସେ ବହୁତ ବିଳମ୍ବରେ ଡାକ ଶୁଣନ୍ତି, ତୁ ପଥବଣା ନ ହୋଇ ତାଙ୍କୁ ଧ୍ୟାନ କରିଚାଲ । ସମୟ ଆସିଲେ ତୋ ପାଖକୁ ଆସି ଆପେ ଆପେ ଧରାଦେବେ । ମତ୍ତ ଭଙ୍ଗୀରେ ପ୍ରଭୁ ଝୁଲି ଝୁଲି ଆସନ୍ତି । ଜଳ, ପବନ ମଧ୍ୟରେ ନିଜର ରୂପକୁ ପ୍ରକାଶ କରନ୍ତି । ରଙ୍ଗ ଅଧର ତାଙ୍କର ଅନିନ୍ଦ୍ୟ ସୁନ୍ଦର ରୂପ । ଲାବଣ୍ୟ ମୂର୍ତ୍ତିର ତେଜ । ରେ ମନ, ନଦୀ ଯେମିତି ବହିଯାଏ, ସେ ମଧ୍ୟ ସେମିତି ବହିଯା’ନ୍ତି । ତାଙ୍କ ପାଦକୁ ଆଣ୍ଟ କରି ଧରିଲେ ଚକିତ ହୋଇ ରହିଯା’ନ୍ତି । ମନୁଆ ଠାକୁର ସେ । ବଳରାମଙ୍କ ଶରୀର ଓ କୃଷ୍ଣଙ୍କ ଶରୀର-ଦୁଇ ମୂର୍ତ୍ତି ଏକ ଓ ଅଭେଦ୍ୟ । ଦୁହେଁ ଶୂନ୍ୟରୂପୀ । ଶୂନ୍ୟରୁ ଅପୂର୍ବ ଅଲୌକିକ ରସ ବହୁଛି । ରେ ମନ, ସେ ରସ ମଧ୍ୟରେ ହଜିଯାଇ ତାକୁ ପାନ କର । କବି ପ୍ରଭୁଙ୍କ ପାଦତଳେ ପଡ଼ି ପ୍ରାର୍ଥନା କରୁଛନ୍ତି- ହେ ପ୍ରଭୁ ଛାର ଅଧମ ଅଚ୍ୟୁତକୁ ଭବ ସାଗରରୁ ଉଦ୍ଧାର କର ।