ମନ ଦେଇ ଶୁଣ ବାଳିକାଗଣ,
ହିତ ହୁଏ ଯାହା କଲେ ଶ୍ରବଣ,
ନରସିଂହପୁର ନାମେ ବସତି,
ବହୁକାଳୁ ତହିଁ ସଭ୍ୟ ଦମ୍ପତି,
କାଟୁଥାନ୍ତି ଦିନ,
ଅନପତ୍ୟେ ମଣି ଜୀବନ ହୀନ ।୧।
ଚରିତ୍ର ଅଟଇ ବିଧି ବିଧାନ,
ନ ହୁଅଇ ପୁଣି ତା କେବେ ଆନ,
ଭାଗ୍ୟ ବଳେ କେତେ କାଳେ ଦୁହିତା,
ଜନ୍ମି ତୁଟାଇଲା ବେନିଙ୍କ ଚିନ୍ତା,
ହୋଇ ଦୃଷ୍ଟ ମତି,
ଦୁହିତା ପାଳନେ ହେଲେ ବରତି ।୨।
ଡକାଇ ଗଣକ ଜାତକ ବିଧି,
ଆଚରିଲେ ପିତା ମଣି ସୁସିଦ୍ଧି,
ଭାଗ୍ୟ କରମେ ସୁତା ଜାତ ଯେଣୁ,
ଭାଗ୍ୟଲତା ଡାକ ନାମ ତା ତେଣୁ,
ଦେଇ ମାତା ପିତା
ଦୁହିତା ପାଳନେ କରନ୍ତି ଚିନ୍ତା ।୩।
ଚନ୍ଦ୍ରମା ତୁଲ୍ୟ ଦିନୁଦିନ ବାଳା,
ବଢ଼ି ଅଙ୍ଗେ ଧରି ସକଳ କଳା,
ସଙ୍ଗିନୀଙ୍କ ମଧ୍ୟ ସେ ପରୀକ୍ଷାରେ,
ଜିଣି ଉଠିଲା ଉତ୍ତମା ଆଖ୍ୟାରେ,
ବାଳିକା ବୟସେ,
ପଢ଼ା ଶୁଣା ସେହୁ କଲା ବିଶେଷେ ।୪।
ଚାହୁଁ ଚାହୁଁ ଦିନ ମାସ ବରଷ,
ବିତି କନ୍ୟା ଯଉବନେ ପ୍ରବେଶ,
ବିଧିମତେ ପରିଣୟ ବିଧାନ,
ସାରି ମାତାପିତା ସାନନ୍ଦ ମନ,
ବିବିଧ ସମ୍ଭାର,
ଦେଇ ପଠାଇଲେ ସ୍ୱାମୀ ମନ୍ଦିର ।୫।
ନବବଧୂ କର୍ତ୍ତବ୍ୟ ।
ବିଦାୟ ସମୟେ ସମ୍ବୋଧି ମାତା,
ଆଲିଙ୍ଗି କହନ୍ତି ମୋ ‘ଭାଗ୍ୟଲତା’ !
ଦଶମାସ ଗର୍ଭେ କରି ଧାରଣ,
ବଢ଼ାଇ ଯତନେ କଲି ପାଳନ, ଯୁବତୀ କାଳକୁ,
କେମନ୍ତେ ମୂର୍ଚ୍ଛିବି ଗଳାହାରକୁ ।୬।
ବଡ଼ ହୀନିମାନ ନାରୀ ଜୀବନ,
କେବେ ରହିପାରେ ନାହିଁ ସ୍ୱାଧୀନ,
ଯଉବନେ ପତି ଶୈଶବେ ପିତା,
ସେବି ପୁଣି ପୁତ୍ରେ ତୋ ସ୍ୱାଧୀନତା,
ବାର୍ଦ୍ଧକ୍ୟରେ ବିକି,
ସର୍ବଶେଷେ ମାତୁ ନୋହୁ କେଣିକି ।୭।
କଟାଇ ସୁଖେ ମା ବାଲ୍ୟ ଜୀବନ,
ଆଜହୁଁ ହେଲୁ ତୁ ସ୍ୱାମୀ ଅଧୀନ,
ସ୍ୱାମୀ ଅଟେ ନାରୀ ହୃଦ ଦେବତା,
ସ୍ୱାମୀ ଘେନି ଯାଏ ସକଳ ଚିନ୍ତା,
ସ୍ୱାମୀ ସେବା କରି,
ବଢ଼ାଇବୁ ତୋର ସତୀତ୍ୱ ଶିରୀ ।୮।
ପତିଟି ମା ତୋର ସକଳ ତୀର୍ଥ,
ଭରତା ସନ୍ତୋଷେ ହେବୁ କୃତାର୍ଥ,
ପତିହିଁ ସାକ୍ଷାତେ ଶ୍ରୀ ଜଗନ୍ନାଥ,
ପତି ପଦ ସେବା ସବୁଠୁଁ ପୂତ,
ତହିଁଥିଲେ ମତି,
ନରହଇ ପାପ ସନ୍ତାପ ଭୀତି ।୯।
ପତିଠେଁ ଯେ ନାରୀ ଥାଏ ବିରକ୍ତ,
କରୁ ପଛେ ନାନା ବାର ବରତ,
ଚାରିଧାମ କରି ପରିଭ୍ରମଣ,
ଶେଷ ଜଗନ୍ନାଥ ଲଭୁ ଦର୍ଶନ,
ପୁଣ୍ୟ କରୁ ଯେତେ,
ପାପିନୀର ପାପ ବଢ଼ଇ ତେତେ ।୧୦।
ଯେଉଁ ନାରୀ ମଜ୍ଜି ସ୍ୱାମୀ ସେବାରେ,
ପତି ଭକ୍ତି ରଖି ନିତି ହୃଦରେ,
ସ୍ୱାମୀ ଆଜ୍ଞା ଶିରୋଧାର୍ଯ୍ୟ ବିଚାରି,
ସ୍ୱାମୀ କାର୍ଯ୍ୟେ ସବୁ ଦୁଃଖ ପାସୋରି,
ତାଙ୍କ ସେବା କରେ,
ତାର କେଉଁ ବ୍ରତ ଲୋଡ଼ା ସଂସାରେ ।୧୧।
ପତି ସୁଖେ ମଣି ନିଜକୁ ସୁଖୀ,
ପତି ଦୁଃଖ ଦେଖି ହେବୁ ତୁ ଦୁଃଖୀ,
ପତି ରୋଗଗ୍ରସ୍ତ ହେବା ଦେଖିଲେ,
ଢାଳି ମନପ୍ରାଣ ତାଙ୍କରି ଭଲେ,
ଥାଇ ବୈଦ୍ୟ ତୁଲ୍ୟ,
ସେବା କରି ରଖ ପ୍ରଣୟ ମୂଲ୍ୟ ।୧୨।
ନିଜ ପାଇଁ ସ୍ୱାମୀ ସମୟ ଧନ,
ବୃଥା ବ୍ୟୟ କରି, ତାହାଙ୍କ ମନ,
ଚିନ୍ତା ସରିତେ ନ ଦେବୁ ବୁଡ଼ାଇ,
ସେ ବୁଡ଼ିଲେ ତୁହି ବୁଡ଼ିବୁ ତହିଁ
କହୁଛି ମା ମୁହିଁ,
ରଖିଥିବୁ ଏହା ଗଣ୍ଠି ପକାଇ ।୧୩।
ବିପକ୍ଷ ଦୁର୍ଜନ କୁହୁକୀ ହସ୍ତେ,
ପତି ଯେବେ ଦୈବେ ପଡ଼େ ବିପଥେ,
କଉଶଳ କରି ଉଦ୍ଧାରି ତାଙ୍କୁ,
ପଡ଼ିଲେ ଦେବୁଟି ପ୍ରିୟ ପ୍ରାଣକୁ,
କହୁଛି ଏତିକି,
କେବେ ନଛାଡ଼ିବାକୁ ତାଙ୍କ କତିତି ।୧୪।
ଅସତ ସ୍ୱଭାବ ପଙ୍କରେ ପଡ଼ି,
ସ୍ୱାମୀ ଯେବେ ରହିବେ ସଦା ଜଡ଼ି,
ତହୁଁ ଉଦ୍ଧାର ଉପାୟ ଯତନ,
କରି ଲଭିବୁ ପ୍ରିୟ ପଦ ରତ୍ନ,
ଏ ରୀତି ପାଳିବୁ,
କୁଳବତୀ ନାମ ଟେକି ରଖିବୁ ।୧୫।
ପତିଙ୍କୁ ମନ୍ତ୍ରଣା ଫାନ୍ଦେ ପକାଇ,
ଗୁରୁଜନ ମଧ୍ୟୁଁ ବିଚ୍ଛିନ୍ନ ହୋଇ,
ନ କରିବୁ ମାଗୋ ଭିନ୍ନ ଭବନ,
ତହିଁ କିଛି ସୁଖ ନ ଭୁଞ୍ଜେ ଜନ,
ମୋଟା ଥିଲେ ଚୋଟା
ନଭେଦଇ ହେଲେ ବିପଦ ଗୋଟା ।୧୬।
ଅଶ୍ଳୀଳ ଭାଷା ଗରଳ ଉଗାରି,
ନ ଦେବୁ ପତିଙ୍କୁ ତହିଁରେ ମାରି,
ବହୁ ଭାଷିଣୀ ମା ନୋହିବୁ କେବେ,
କହିବୁ ସ୍ୱାମୀ ଯା ପୁଚ୍ଛନ୍ତି ଯେବେ,
ଯୁକତି ନ ଦେବୁ,
ପତି ରୋଷ କାଳେ ପାଖୁଁ ଘୁଞ୍ଚିବୁ ।୧୭।
ଦେବ ତୁଲ୍ୟ ଜ୍ଞାନ କରି ସ୍ୱାମୀରେ,
କର୍କଶ ଅଙ୍କୁଶ ବଚନ ବାରେ,
ପତି ହୃଦେ ନ କରିବୁ ପ୍ରହାର,
ସେ ଘାତେ ବ୍ୟଥାଟି ଅଧିକ ତର,
ମୋର ସୁନାମାଳା,
ସଦା ହୋଇବୁ ଶାନ୍ତା ଲଜ୍ଜାଶୀଳା ।୧୮।
ନିଜ ପ୍ରଭୁତ୍ୱ ଛତ୍ର ତଳେ ହେଳେ,
ନ ରଖିବୁ ପତି ଦେବତା ଢାଳେ,
ଏହା ଜାଣିଲେ ସାହି ପଡ଼ୋସିଣୀ,
ଟାହି ମାରି ଜିଭ କାମୋଡ଼ି ଧନ୍ୱୀ,
ବୋଲିବେ ଏ ନାରୀ,
ସ୍ୱାମୀକି ରଖିଛି କିଙ୍କର କରି ।୧୯।
ଯେ ଥିବ ପତିଙ୍କ ପ୍ରଣୟ ପାତ୍ରୀ
ଚିନ୍ତାସମ ତାଙ୍କ ହିତରେ ବ୍ରତୀ
ହୋଇ ନାନା ଯତ୍ନେ ଭୋଜନ ଆଦି,
କରାଇବୁ ପେୟ ଭୋଜ୍ୟ ସମ୍ପାଦି,
ଏ ଭାବ ଚନ୍ଦ୍ରମା
ଦିଅଇ ବିନାଶି ପାପ-କାଳିମା ।୨୦।
ଯେଉଁ ଧର୍ମପଥେ ପତି ପଥିକ
ଥିବେ ତୁ ରଖିବୁ ସେ ଧର୍ମ ଟେକ,
ବଢ଼ାଇ ତହୁଁ ତୋ ଗୌରବ ତରୁ,
ସୁଖଫଳ ଭୁଞ୍ଜିଥିବୁ ତହିଁରୁ,
ନିଜ ଧର୍ମ ଏଡ଼ି,
ବିଧର୍ମୀ ଅନଳେ ନ ଯିବୁ ପୋଡ଼ି ।୨୧।
ମଳିନ ବେଶେ ବିଷଣ୍ଣ ବଦନେ,
ନଯିବୁ କେବେ ସ୍ୱାମୀ ସନ୍ନିଧାନେ,
ସ୍ୱଚ୍ଛ ପ୍ରଣୟ ପରକାଶି ହୃଦେ,
ତାମ୍ବୁଳାଦି ଦାନ ଭାଷା ସୁମୋଦେ,
ପରଶି ପତିରେ,
ପ୍ରେମାଙ୍କୁର ବଢ଼ାଇବୁ ମତିରେ ।୨୨।
ପତି ହିତ ଉପଦେଶ ନିର୍ମାଲ୍ୟ,
ସେବା କରୁଥିବୁ ଚେତି ତା ମୂଲ୍ୟ,
ମନ୍ତ୍ରୋପଦେଷ୍ଟା ମନ୍ତ୍ର ତୁଲ୍ୟ ଭାବି,
ନିରତେ ରହିବୁ ତହିଁରେ ଦ୍ରବୀ,
ନିତି ନିତି କଥା,
ପାଳିଲେ ହୋଇବ ଜଗତେ ପତା ।୨୩।
ନବବଧୂ କର୍ତ୍ତବ୍ୟ
ଦାଣ୍ଡ ଦୁଆର ସ୍ୱାମୀ କଣ୍ଠସ୍ୱର,
ଶୁଣିବା କ୍ଷଣି ତୁ ହେବୁ ତତ୍ପର,
ମୟୂରୀ ଯେସନ ଘନ ଗର୍ଜନ,
ଶ୍ରବଣେ ଉଲ୍ଲାସ କରଇ ମନ,
ତେହ୍ନେ ଉଲ୍ଲସିନୀ,
ହୋଇବୁ ସେ ବାସେ ପ୍ରବେଶ ଜାଣି ।୨୪।
ସହାସ୍ୟ ଆସ୍ୟେ ସମ୍ଭାଷଣ କରି,
ସେ ଯେଉଁ ଆଜ୍ଞା କରିବେ ତାବାରି,
ହୋଇ ଆନନ୍ଦିତା ତା ସମ୍ପାଦନ,
ନିଜେ କରିବୁ ନ ମାନି କଷଣ,
ସ୍ୱାମୀ ପ୍ରିୟ ଯାହା,
ସାଇତି ରଖି ମା ଦେବୁଟି ତାହା ।୨୫।
ସସ୍ନେହରେ ପତି ଯେଉଁ ଗୁପତ,
ଭାଷିବେ ଭାଷା ତା ବୃଥା ବିଖ୍ୟାତ,
ନକରିବୁ କେବେ ଅନ୍ୟ ଜନରେ,
ତୋର ଗଣ୍ଠି ଧନ ସମ ମନରେ,
ରଖିବୁ ଏକଥା
ନ କହିବୁ ପରେ ଛିଡ଼ିଲେ ମଥା ।୨୬।
ଦେଖିଲେ ସ୍ୱାମୀଙ୍କ ବିରସ ମୁଖ,
ଅନୁସନ୍ଧାନେ ସେ ଭାବ ପ୍ରତ୍ୟକ୍ଷ,
ବୁଝି ନିବାରଣ କରିବୁ ତାହା,
ଅବାରଣ ଦୁଃଖେ ଥିଲେ ତୋ ନାହା,
ଶିକ୍ଷାଦାତ୍ରୀ ସମ,
ବୋଧି ବିନାଶିବୁ ବିଷାଦ ତମ ।୨୭।
ପତି ପ୍ରଣୟ-ପାତ୍ରୀ ବୋଲି କେବେ,
ଅହଂକାରେ ସ୍ଫୀତ ନୋହିବୁ ଲବେ,
ତୁଚ୍ଛ କରଣ ବଶେ ପତି ପାଶେ,
ଅଭିମାନିନୀ ମା ନୋହିବୁ ଲେଶେ,
ଏ ନୀତି ସୁମନ,
ଖୋସି ମାଥେ ହୁଅ ନାରୀରତନ ।୨୮।
କ୍ରୋଧାନ୍ଧେ ସ୍ୱାମୀଙ୍କ ହୃଦୟ ଗିରି,
କରକଶ ଭାଷା କୁଳିଶେ ଚୂରି,
ନ ଦେବୁ ମା ଲୋ କହୁଅଛି ଏତେ,
ସେ ହୃଦେ ବାଧିଲେ ବାଧିବ ତୋତେ,
ପତି ପତ୍ନୀ ପ୍ରାଣ,
ଏ ବେନି ଅଙ୍ଗେ ଏକମାତ୍ର ଜାଣ ।୨୯।
ଚିର ରୋଗୀ ମୁର୍ଖ ଥିଲେ ଭରତା,
ନକରି ମନରେ ବିଷମ ଚିନ୍ତା,
ନିରୋଗୀ ଆବର ବିଦ୍ୱାନ ମଣି,
ହରିବୁ ଆନନ୍ଦେ ଦିନ ଯାମିନି
ଏ ଗୁଣ ରତନ,
ହୃଦେ ଲଗାଇବୁ କରି ଯତନ ।୩୦।
ସ୍ୱାମୀଙ୍କ ପ୍ରକୃତି ମନ ତୁ ଚିହ୍ନି,
ଇଚ୍ଛିବେ ଯାହା ସେ ଯୋଗାଇ ଧନୀ,
ମନେ ମନ ବାସ ଅନିଳ ପ୍ରାୟେ,
ମିଳାଇବୁ ପୁଣି ସବୁ ସମୟେ,
ତେଜିଲେ ଆଳସ୍ୟ,
ପାଇବୁ ଜଗତେ ଐଶ୍ୱର୍ଯ୍ୟ ଯଶ ।୩୧।
ସ୍ୱାମୀ ଆରୋଗ୍ୟ ପାଇଁ ଦେବ ଦେବୀ,
ସେବା ଆଚରିବୁ ମାନସେ ଭାବି,
ସାବିତ୍ରୀ ଓଷାଦି ବାର ବରତ,
ସଂକଳ୍ପି ପବିତ୍ରେ ମଜ୍ଜାଇ ଚିତ୍ତ,
କରିବୁ ଅବଶ୍ୟ,
ଏଥିରେ ସ୍ୱାମୀଙ୍କ ବଢ଼େ ଆୟୁଷ ।୩୨।
ସ୍ୱାମୀ ବିକୃତ ଅଭୂଷିତ ଥିଲେ,
ମନେ ମନେ ଖପା ନୋହିବୁ ତିଳେ,
ଦେଖ ଶିବ ଭସ୍ମ ସର୍ପ ମାଳାରେ,
ଆଦରି ଜଟା ଜୁଟ ମଣ୍ଡି ଶିରେ,
ଥିଲେ ହେଁ ସନ୍ତତେ,
ଶିବା ପୂଜୁଛନ୍ତି ସେ ପଦ ନିତ୍ୟେ ।୩୩।
ଗୃହଛିଦ୍ର ଗୁପ୍ତ ସମ୍ପତି ବାରେ,
ପତି ଦୋଷ କାର୍ଯ୍ୟ ଖ୍ୟାତି ପରରେ,
ନକରିବୁ ମୋର ଦୁହିତା ମଣି,
ଦୃଢ଼ ଗଣ୍ଠି କରି ମନରେ ଜାଣି,
ରଖିଥିବୁ ଯେବେ,
ଭାବି ସୁଖ-ଧନ ପାଇବୁ ତେବେ ।୩୪।
ଦୃଷ୍ଟାଙ୍କ ସଙ୍ଗତେ ମାତି କଳହେ,
ବ୍ୟଥା ନ ଆଣିବୁ ପତିଙ୍କ ଦେହେ,
ଶଙ୍କା ହୁଏ ଯେହ୍ନେ ଦେଖିଲେ କରୀ,
ତେସନ ରହିବୁ ଦୂରୁଁ ଜୁହାରି,
କହୁଛି ମୋ ଧନ,
ନ କର ଦୁଷ୍ଟାଙ୍କ ମୁଖ ଦର୍ଶନ ।୩୫।
ନିତ୍ୟ ସ୍ୱାମୀ ପଦ ଉଦକ ପାନ,
ସାରି ଭୁଞ୍ଜୁଥିବୁ ତୁହି ମା ଅନ୍ନ,
ଶାଶୁ ନଣନ୍ଦଙ୍କ ଆଦେଶ ପାଳି,
କାର୍ଯ୍ୟ କରୁଥିବୁ ମୋ ଗଳାମାଳି,
କେବେ ଅଶନରେ,
ପକ୍ଷପାତ ନ ରଖିବୁ ମନରେ ।୩୬।
ସ୍ୱାମୀ ଅନଉପସ୍ଥିତେ ଦୁଆରେ,
କେ ପୁରୁଷ ଯେବେ ଡାକିବେ ବାରେ,
ଆଗୁସାର ହୋଇ ନ ଯିବୁ ତହିଁ,
ପୁତ୍ରାଦି କେ ଥିଲେ ଦେବୁ ପଠାଇ,
ଜ୍ଞାନ୍ତି ବନ୍ଧୁ ହେଲେ,
କୁଳ ରୀତି ଆଚରିବୁ ମା ଭଲେ ।୩୭।
ପ୍ରବାସୀ ହୋଇବୁ ପତି ସହିତେ,
ଭାଗ୍ୟେ ଯେବେ ସ୍ୱାମୀ ରହେ ଅଜ୍ଞାତେ,
ଦ୍ରଉପଦୀ ଯେହ୍ନେ ବିରାଟ ଘରେ,
ଦମୟନ୍ତୀ ଥିଲେ ଯେଉଁ ରୀତିରେ,
ତେସନ ତୁ ଥିଲେ,
ତୋ ଯଶ ପୂରିବ ଜଗତେ କାଳେ ।୩୮।
ପତି ଜ୍ଞାନ ପଥେ ପଥିକ ହୋଇ,
ସଂସାର ବିରାଗୀ ଯେବେ ହୁଅଇ,
କେବେ ତୁ ନୋହିବୁ ଆକୁଳ ମତି,
ଦେଖ ଯଶୋଧାରା କେସନ ନୀତି,
ରଖିଛନ୍ତି ଭୁରେ
ପତି ବଇରାଗ୍ୟ ଲଭି ଅନ୍ତରେ ।୩୯।
ବିଶ୍ରାମ ସମୟେ ଗ୍ରନ୍ଥ ପୁରାଣ,
ପଢ଼ି ବୁଝୁଥିବୁ ସବୁ କାରଣ,
ସାରି ବିଧିମତେ ରନ୍ଧନ ବିଧି,
ପତି ସେବି ନିଜ କର୍ତ୍ତବ୍ୟ ସାଧି,
ସ୍ୱାମୀ ସେବା ବିନା,
ଅନ୍ୟ କର୍ମ ଯେତେ ନୁହେ ଗଣନା ।୪୦।
କ୍ରୂର କୁଟିଳ ଭାଷୀ ଭର୍ତ୍ତା ଯେବେ,
ବ୍ୟୟ କୁଣ୍ଠ ପୁଣି ଲୋଭୀ ଦଇବେ,
ଥିଲେ ଉଦାସ ବାଜ ହୃଦୟରେ,
ପୋତି ଧଇର୍ଯ୍ୟ-ସଲିଳ ତହିଁରେ,
ସିଂଚି ଦିବା ନିଶି,
ବଢ଼ାଇବୁ ତୋର ସୌଭାଗ୍ୟ କୃଷି ।୪୧।
ପରିବାର ଜନେ କପଟ ରୀତି
ରଖିବା ଗୋପନେ ଗୃହ ସମ୍ପତି,
ଏ ବିଷମ ମନ୍ତ୍ର ବିଷୟ ବାରେ,
ନ ଫୁଙ୍କିବୁ କେବେ ସ୍ୱାମୀ ଶ୍ରୁତିରେ,
କହୁଛି ଏତିକି
କେବେ ନ ଆଣ ଏ ମନ୍ଦ ମତିକି ।୪୨।
ସହନେ ଧରିତ୍ରୀ ରୀତି ଆଚରି,
କାର୍ଯ୍ୟ ପଥେ ଥିବୁ ସରିବ ପରି,
ଦାସୀରୁ ସାଧନେ ହେବୁ ଅଧିକ,
ଉପଦେଶ ମାତା ନାମକୁ ଟେକ;
ରଖିଥିବୁ ଯେବେ,
ଦୂଷିତା ନୋହିବୁ ଏ ପାପ ଭବେ ।୪୩।
ଶ୍ୱଶୁରଙ୍କୁ ଦେବ ସମାନେ ଜ୍ଞାନ,
କରି ଦେଉଥିବୁ ନିତି ସମ୍ମାନ,
ଦେଢ଼ଶୁରେ ବଡ଼ ଠାକୁର ସମ,
ମାନ୍ୟ ରଖିଥିବୁ ବଢ଼ାଇ ନାମ,
ଏନୀତି ପାଳିଲେ,
ସର୍ବଶ୍ରେଷ୍ଠା ହେବୁ ନାରୀ ମଣ୍ଡଳେ ।୪୪।
ଦାସୀ ସମେ ଶାଶୁ ପଦ ସେବାରେ,
ମନ ଦେଇଥିବୁ ରାତ୍ର ଦିବାରେ,
ନଣନ୍ଦଙ୍କୁ ନିତି ପ୍ରେମ ନୟନେ,
ଦେଖିଥିବୁ ଦ୍ୱେଷ ନ ରଖି ମନେ,
ଜାଆଙ୍କ ସଙ୍ଗରେ,
ନୀର କ୍ଷୀର ତୁଲ୍ୟ ଥିବୁ କାର୍ଯ୍ୟରେ ।୪୫।
ଭାତୃ ପ୍ରେମ ରଖି ଦେବର ପ୍ରତି,
ପାଳୁଥିବୁ ନୋହି ବିକଳ୍ପ ମତି,
ବନବାସେ ସୀତା ସୌମିତ୍ରି ରୀତି,
ପାଞ୍ଚାଳୀ ପାଣ୍ଡବେ ଘଟିବା ନୀତି,
କର୍ମ ପଥେ ଥିଲେ,
ସଂସାରେ ପ୍ରଶଂସା ପାଇବୁ ଭଲେ ।୪୬।
ଆଜ ଯାଏ କନ୍ୟା ନାମକୁ ବହି,
ବଧୂ-ଉପାଧିକୁ ଲଭିଲୁ ତୁହି,
ତେଣୁଟି ମା ବେଳ କାଳକୁ ଜଗି,
ନାରୀକୂଳ ମହତକୁ ନ ଲଙ୍ଘି,
ଚାଲିଥିବୁ ଯେବେ,
ସୁନାରୀ ପଦବୀ ଲଭିବୁ ତେବେ ।୪୭।
ବଧୂ ଭଗାରୁଣୀ ଶାଶୁ ନଣନ୍ଦ,
ଜଗି ଛକେ ଛକେ ଲଗାନ୍ତି ଦ୍ୱନ୍ଦ୍ୱ,
ବୋହୂ ଭଲ ଗୁଣ କାହିଁ ଦେଖିଲେ,
କେବେ ନ କରନ୍ତି ପ୍ରଶଂସା ତିଳେ,
ଟିକକ ମନ୍ଦକୁ,
ଟୋକାଇ କରି ରଚନ୍ତି ଦ୍ୱନ୍ଦ୍ୱକୁ ।୪୮।
ଏ ଘେନି ତାଙ୍କ ମନ- ଅହି ମାଗୋ,
ମିଷ୍ଟ ଭାଷା ମନ୍ତ୍ରେ ତୋଷିବୁ ଆଗ,
କାର୍ଯ୍ୟ ପଥେ କେବେ ଆରମ୍ଭି ବାଦ,
ନବସିବୁ ତହିଁ ଘୋର ପ୍ରମାଦ,
ସହନୀୟା ହୋଇ,
ସୁଖ ଦୁଃଖ ଦେବୁ ହୃଦୁ ମେଣ୍ଟାଇ ।୪୯।
ଅନ୍ୟ ଜନେ କ୍ରୋଧ ଭାବ ନ ବହି,
ପଡ଼ୋଶୀ ସ୍ତିରୀଙ୍କୁ ଥିବୁ ମନାଇ,
ଭିକ୍ଷୁକ ଅତିଥି ଦେଖିଲେ ଦ୍ୱାରେ,
ବିରକ୍ତ ନ ହେବୁ କେବେ ମନରେ,
ସେବା ଦାନେ ତାଙ୍କୁ,
ସନ୍ତୋଷି ଭାଷିବୁ ମିଷ୍ଟ ଭାଷାକୁ ।୫୦।
ପ୍ରଭାତ ସମୟେ ଶେଯରୁ ଉଠି,
ସାରି ନିତ୍ୟ କୃତ୍ୟ ବାସି ପାଇଟି,
ତହିଁ ବଳି ଗୃହ କରମ ଯେତେ,
ନ ବହି ତୁ ମନେ ଦୋଷ କିଞ୍ଚିତେ,
ସବୁ ସାରି ଶେଷେ,
ଲଭିବୁ ବିଶ୍ରାମ ମନ ହରଷେ ।୫୧।
ସତ୍କୁଳ ସମ୍ଭବା ବିବେକୀ ଜ୍ଞାନୀ,
ପତିବ୍ରତା ପୁଣ୍ୟଶୀଳା ରମଣୀ,
ଏହାଙ୍କ ସହ ସଖ୍ୟ-ଭାବାଚରି,
ବଢ଼ାଇବୁ ତୋର ଗୌରବ ଶିରୀ,
ଏହି ନୀତି ଝରା,
ଖୋସିଲେ ମସ୍ତକେ ଦିଶିବୁ ତୋରା ।୫୨।
ଯେଉଁ ଅପାର କଳଙ୍କ-ସାଗରେ,
ପତି ଶ୍ୱଶ୍ରୁ ଆଦି ବନ୍ଧୁ ସୋଦରେ,
ବୁଡ଼ିବେ ଆକୁଳେ କୂଳ ନ ପାଇ,
ତେସନ କରମେ ନ ଥିବୁ ତୁହି,
କହୁଛି ମା ମୁହିଁ,
ଦେଖ ବାରେ ନୀତି ଖାତା ଫିଟାଇ ।୫୩।
ପରିହାସୀ ସମ ବୟସୀ ଗଣେ,
ପରିହାସ ହେବୁ ତରକି ମନେ,
ବିଶେଷ କୌତୁକ ମଧୁର ମଧୁ,
ପାନ ନ କରିବୁ ମଣି ସୁସ୍ୱାଦୁ,
ବିଶେଷ ମଧୁରେ,
ବିଷ କ୍ଷରଇଟି ଜାଣିଥା ବାରେ ।୫୪।
ନଅଣୀ ସହଣୀ ହୋଇ ନିରତେ,
କଥା ହେବୁ ଗୁରୁଜନ ଅଗ୍ରତେ,
ଗତିକାଳେ ଦୃଷ୍ଟି ପଦରେ ଥୋଇ,
ଚାଲୁଥିବୁ ମାଗୋ ମଥା ନୁଆଇଁ,
ରେ ଗଣ୍ଠି ସଙ୍ଖାଳି !
ଏ କଥା ରଖିବୁ ମନରେ ଭାଳି ।୫୫।
ଶୁଣି କେବେ କାର କୁଟିଳ ଭାଷା,
ବିରସ-ପଙ୍କେ ତୋ ହୃଦ ନ ଭସା,
ପରଶ୍ରୀକାତର ଅନଳେ ପଡ଼ି,
ବିବେକ ତୋହର ନ ଦେବୁ ପୋଡ଼ି,
ଆତ୍ମ ସୁଖ ଭାବ,
ତେଜି ଥିବୁ ସଦା ମନୁ ଗରବ ।୫୬।
ସଞ୍ଚୟ ଗୁଣେ ପିପୀଲିକା ପରି,
ଶୟନରେ ଶ୍ୱାନ ନିଦ୍ରା ଆବରି,
ଦେଖି ଆୟବଳ ବ୍ୟୟ କରିବୁ,
ସଦା ଗୃହ ଧନ ଯତ୍ନେ ରଖିବୁ,
ଆହା ମୋ ଦୁହିତା !
ଏହା ଦେଖି ଦୂରେ ଯାଉ ମୋ ଚିନ୍ତା ।୫୭।
କେଉଁ ଖାଦ୍ୟ ଦ୍ରବ୍ୟ ତୁ ଲୁକ୍କାୟିତେ,
ତୁଣ୍ଡେ ପକାଇ ନ ଦେବୁ କିଞ୍ଚିତେ
ଏ ରୀତି ଶାଶୁ ନଣନ୍ଦ ବଇରୀ,
ହୀନ କଥା ବଡ଼ ତୁଟାଏ ଶିରୀ,
ହେଉ ପଞ୍ଚାମୃତ,
ବିଷୁଁ ଅଧିକ ତା ମଣ କୁତ୍ସିତ ।୫୮।
ଗମ୍ଭୀର ଗୁଣରେ ସାଗରେ ସରି,
ଆଶ୍ରୟ ଦାନରେ ବୃକ୍ଷର ପରି,
ଭାନୁରୁ ହୃଦୟ ବିମଳ ଗୁଣେ,
କାର୍ଯ୍ୟେ ଚଞ୍ଚଳତା ବିଦ୍ୟୁତ୍ସମାନେ,
ସଦା ହେଲେ ଧନ,
ନାରୀଙ୍କର ହେବୁ ଭୂଷା-ରତନ ।୫୯।
ବସିଥିବେ ଗୁରୁଜନାଦି ଯହିଁ,
ରସି ଉଚ୍ଚ ଆସନରେ ତୁ ତହିଁ
ବସିବୁ ନାହିଁଟି ମୋ ସୁନାମାଳି,
ଦେଖି କେ ମେଲିବ ଢଗ ପହଳୀ,
ଅସୁନ୍ଦର ପୁଣି,
ଏହା ନ କରିବୁ ମୋ କଥା ଶୁଣି ।୬୦।
ସତୀର ଭୂଷଣ ସତ୍ୟ ବଚନ,
ମିଥ୍ୟା କଳପନା କରେ ଦୂଷଣ,
ଉଚ୍ଚାରିବୁ ନାହିଁ ସେ ମିଥ୍ୟା ପାପ,
ସତ୍ୟ ଏଡ଼ିଲେ ଲଭିବୁ ସନ୍ତାପ,
କହୁଛି ମୋ ଧନି !
ଥିବୁ ସତ୍ୟ ବଚନକୁ ତୁ ମାନି ।୬୧।
ମଲାଙ୍ଗ ଯେସନ ବୃକ୍ଷ ନାଶଇ
ଲୋଭହିଁ ମନୁଷ୍ୟ ତେହ୍ନେ ଗ୍ରାସଇ,
ଦିନେ ହେଲେ ଅତି ଲୋଭ ମୁଖରେ,
ନ ପଡ଼ିବୁ ମୁହିଁ କହୁଛି ବାରେ,
ଲୋଭ ମହାଖଣ୍ଟ,
ନ ଯିବୁଟି କେବେ ତାର ନିକଟ ।୬୨।
ଅଛି ଏହି କ୍ରମେ ଛଅଟି ଅରି,
କାମ କ୍ରୋଧ ମୋହ ମଦାଦି ଘେରି,
ଏମାନେ କରନ୍ତି ମନୁଷ୍ୟ ନାଶ,
ନହେବୁ ଏଣୁ କେବେ ତହିଁ ବଶ୍ୟ
ମୋ ଗଣ୍ଠି ସଙ୍ଖାଳି !
ଏଥି ନ ଦେବୁ କେବେ ହୃଦ ଢାଳି ।୬୩।
ବିଧି ସୃଷ୍ଟିରେ କେ ବଡ଼ କେ ସାନ,
ଭେଦା ଭେଦ ଛାଡ଼ି ମଣି ସମାନ,
ସବୁ ଜୀବ ପ୍ରତି ସମାନ ଦୟା,
ରଖିବୁ ଅନ୍ତର ବରଜି ମାୟା,
ଏ ଗୁଣ ଚନ୍ଦ୍ରମା,
ଉଦୟେ ଲିଭିବ ପାପ କାଳିମା ।୬୪।
କଳଙ୍କର ଖଣି ନାରୀ ଜୀବନ,
ପଦେ ପଦେ ଭୁଞ୍ଜେ ସେ ଅପମାନ,
ବଳହୀନା ତେଣୁ ନାମେ ଅବଳା,
କହି ନୁହଇ ତା ଜୀବନ ଜ୍ୱଳା,
ହେଲେ କିସ ହେଲା,
ସବୁ ସୁଖ ମଣି ସନେ ସରଳା ।୬୫।
ଏତିକି ମା ତୋତେ କହୁଛି ମୁହିଁ,
ମୁଖ ଟେକି ଦାଣ୍ଡେ ନ ଦେବୁ ଚାହଁ,
ନ ଲୋଡ଼ିବୁ କେବେ ଦୁଷ୍ଟା ସଙ୍ଗିନୀ,
ନ ହେରିବୁ ପୁଂସ ଗୋଷ୍ଟିକି ଧନି,
ତହିଁ ହେଲେ ବଶ୍ୟ,
ସତୀତ୍ୱ ରତନ ହୁଅଇ ନାଶ ।୬୬।
ନିତି ଏ ରୀତିକି ଦୂରୁଁ ଜୁହାରି,
ନିରତେ ବିନମ୍ର ବ୍ରତ ଆଚରି,
ତୋଷିବୁ ସକଳ ଜନଙ୍କ ମନ,
ସୁଖମୟ ତେବେ ବଧୂ ଜୀବନ
କହୁଛି ଏତିକି,
ସ୍ଥିର ରଖିବୁ ଚଞ୍ଚଳ ମତିକି ।୬୭।
କୂଳ ବଧୂଙ୍କର ମଥାଭରଣ,
ଓଢ଼ଣାଟି ମାଗୋ ଅଧେ ଭୂଷଣ,
ତାହା ଶିରେ ନ ପକାଇ ତୁ ବାରେ,
ଯିବୁନାହିଁ ଗୁରୁଜନ ଆଗରେ,
ଅଟୁ ତୁ ଚତୁରୀ,
ଦେଖାଇବୁ ନାହିଁ ଶିର କବରୀ ।୬୮।
କାହା ଛିଦ୍ର କଥା କାହାରେ କହି,
ନ ଦେବୁ ଉଭୟେ କଳି ଲଗାଇ,
ସେମାନଙ୍କ ଦୋଷ ଲୁଚିବ କାହିଁ,
ଶେଷେ ତୁ ରହିବୁ କଳଙ୍କୀ ହୋଇ,
ଦେଖି ମୃଗତୃଷ୍ଣା,
ଶଶ ମଲା ଦେଖ ଚନ୍ଦ୍ରମା ଦଶା ।୬୯।
ନିରାଶ୍ରୟ ହୋଇ ଯେବେ କେଜନ,
ଆସି ତୋହରେ ମା ହୁଏ ଶରଣ
କୁଳଶୀଳ ଗୋତ୍ର ବୁଝି ତାହାର,
ଆଶ୍ରୟ ଦେବୁତୁ ଭାବି ନିକର,
ଅଜ୍ଞାତ ଜନରେ
ଆଦର ନ ଦେବୁ କେବେ ମନରେ ।୭୦।
ପ୍ରତି ଗୁରୁବାରେ ଲକ୍ଷ୍ମୀପୁରାଣ,
ପଢ଼ି ବନ୍ଦିବୁ ସେ ଦେବୀ ଚରଣ,
ନାରୀଙ୍କର ମୂଳ ଏହି ବରତ,
ଯେବେ ତୁ ପାଳିବୁ ମଜ୍ଜାଇ ଚିତ୍ତ,
ଧନଧାନ୍ୟ ଜନ,
ପୂର୍ଣ୍ଣ ହେବ ମାଗୋ ତୋର ଭବନ ।୭୧।
ପରଭାତେ ଛାଡ଼ି ତଳପ ନିତି,
ସୀତା ଶଚୀ ମନ୍ଦୋଦରୀ ଦ୍ରୌପଦୀ,
ତାରା ପଞ୍ଚକନ୍ୟା ନାମକୁ ଗାଇ,
ପଞ୍ଚମନ ତହିଁ ନିବିଷ୍ଟେ ଥୋଇ,
ତାହାଙ୍କୁ ସ୍ମରିଲେ,
ପାପ କାଳିମା ମା ନଥିବ ତିଳେ ।୭୨।
ରାମାୟଣ ଗ୍ରନ୍ଥ କରି ଆମୂଳ,
ପଢ଼ିବୁ ହୃଦୟେ କଳି ତା ମୂଲ୍ୟ,
କଇକେଇ ଦଶରଥେ ଯେସନେ
ବର ଯାଚନା ନରଖ ତେସନ,
ପତି ସନ୍ତୋଷରେ,
ଯାହା ଦେବେ ତାହା ନେବୁ ସତ୍ୱରେ ।୭୩।
ମନ୍ଥରା କୈକେଇ ଯେଉଁ କରମ,
କରି ବନେ ପଠାଇଲେ ଶ୍ରୀରାମ,
ଦେଇ ଦଶରଥେ ସନ୍ତାପବିଷ,
କରିଥିଲେ ତାକୁ ଜୀବନେ ନାଶ,
ଏ ମନ୍ଦ ଭାବନା-
ରାଜ୍ୟେ ପଶି ଦେହ ନକର ଚୂନା ।୭୪।
ଦେଖ ରାମଚନ୍ଦ୍ର ବନ ଗମନେ,
ପତି ଭକ୍ତା ବଇଦେହୀ କେସନେ,
ଅଯୋଧ୍ୟା ଭବନୁ ରାଜ ବିଭୋଗ,
ତେଜି ସ୍ୱାମୀ ପଦେ ମନକୁ ଯୋଗ,
କରି ଗଲେ ବନେ,
ସେ ନୀତି ପୂରିଛି ସର୍ବ ସଦନେ ।୭୫।
ଅଯୋଧ୍ୟା ନଗରେ ସୀତା ସମ୍ପଦେ,
ଭୋଗୁଥିଲେ ଯେଉଁ ଅମିୟ ମୋଦେ,
ବନବାସେ ତାହା ମନୁ ମରୁଛି,
କେବଳ ଶ୍ରୀରାମ ସେବାକୁ ଇଚ୍ଛି,
ଫଳ ଭୂଳ ଖାଇ,
ଦିନ ହରି ନେଲେ ଶୁଣିଛୁ ତୁହି ।୭୬।
ଜନ୍ମ ଅନ୍ଧ ଧୃତରାଷ୍ଟ୍ରେ ଗାନ୍ଧାରୀ,
ସେବିଲେ ବଢ଼ାଇ ସତୀତ୍ୱ ଶିରୀ,
ଅନ୍ଧ ବୋଲି ସ୍ୱାମୀ ପ୍ରତି ବିରକ୍ତ,
ନଥିଲାଟି କେବେ ତାହାଙ୍କ ଚିତ୍ତ,
ତହୁଁ ତୋହ ଶିରୀ,
ବଢ଼ାଇ ହୁଅ ଦ୍ୱିତୀୟ ଗାନ୍ଧାରୀ ।୭୭।
ଯୁଧିଷ୍ଠିର ହେଲ ଦୃତସର୍ବସ୍ୱ,
ଶେଷେ ଅଜ୍ଞାତ ଆଦି ବନବାସ,
କଲେ ହେଲେ ବାରେ ଦ୍ରୁପଦ ସ୍ୱତା,
ମନେ ତିଳେ ନୋହି ସେହୁ ଦୁଃଖିତା,
ଦୀନା ସମ ଥାଇଁ,
କାଟିନେଲେ ଦିନ ଶୁଣିଛୁ ତୁହି ।୭୮।
ତଥା ନଳ ହାରି ରାଜ୍ୟ ସମ୍ପଦ,
ଲଭି ବନବାସେ ଘୋର ବିପଦ,
ନିବିଡ଼ ଅରଣ୍ୟେ ପତ୍ନୀକି ଛାଡ଼ି,
ଗଲେ ଆପଣାର ବିବେକ ହୁଡ଼ି,
ଥିଲେ ହେଲେ ଯହିଁ
ଦମୟନ୍ତୀ ପ୍ରାଣ ଖୋଜଇ ତହିଁ ।୭୯।
ସତ୍ୟବାନ ପ୍ରାଣ ବିୟୋଗ ଦେଖି,
ସାବିତ୍ରୀ ଥିଲେ କି ମାନସେ ଦୁଃଖୀ,
ସତୀ ପ୍ରତିଜ୍ଞାରୁ ପତିର ପ୍ରାଣ,
ବଢ଼ାଇ ତହୁଁ ସେ ସୁଖରେ ଦିନ,
ହରୁଥିବା ନିତି,
ସାବିତ୍ରୀ ଓଷାରେ ହୋଇଛି ଖ୍ୟାତି ।୮୦।
ଏହାଙ୍କ ତୁଲ୍ୟ ତୁ ସର୍ବ ଗୁଣେ,
ଶ୍ରେଷ୍ଠା ହୋଇ ଯଶ ରଖ ଭୂମିରେ,
ତୁ ହୁଅ ସକଳ ଗୁଣସାଗରୀ,
ତହିଁରେ ମଜ୍ଜନ୍ତୁ ସର୍ବ ନାଗରୀ,
କହୁଛି ମୁଁ ଯାହା,
ଅକ୍ଷରେ ଅକ୍ଷରେ ପାଳିବୁ ତାହା ।୮୧।
ଏଥୁ ଅନ୍ତେ ମାତ ସୁମନେ ଘେନ,
ଗର୍ଭବତୀ ସତୀ ନୀତି ପାଳନ,
ବାଛି ନାନା ଶାସ୍ତ୍ର ସଂକ୍ଷେପ କରି,
କହେ ମୁଁ ତୋ ଆଗେ ତାହା ବିସ୍ତାରି,
ପାଳିଲେ ଆଦରି,
ନିନ୍ଦା କୁମ୍ଭିପାକୁ ହୋଇବୁ ପାରି ।୮୨।
ପୋଷି ତୋହ ମନେ ଦ୍ୱେଷ ନିରତେ,
ହୃଦ ଥୋଇ ମାଗୋ କ୍ରୋଧ କରତେ,
ଅଭିଶାପ କାହାକୁ ନ ବିହିବୁ,
ବୃଥା ଆଶଙ୍କା ମନେ ନ ଲଭିବୁ,
ଉତ୍ତାନ ଶୟନ
କରିବୁ ଅବଶ୍ୟ ଏହା ବର୍ଜନ ।୮୩।
ନ ଛେଦିବୁ କେବେ ଅଙ୍ଗୁର ରୋମ,
ନଖ ମତ୍ସ୍ୟ ଫଳ ମୂଳ କୁସୁମ,
ନୂତନ ବସନ କିବା ଭୂଷଣ,
ଅଶୁଭ ପଦାର୍ଥ ବାରେ ସ୍ପର୍ଶନ,
ନ କରିବୁ ତୁହି,
ନୀତି ଶାସ୍ତ୍ରେ ଏହା ଶୁଣିଛି ମୁହିଁ ।୮୪।
ସ୍ନାହାନ ଜଳ ମଧ୍ୟେ ନ କରିବୁ,
ଦୁଷ୍ଟା ସହବାସ ସଦା ବର୍ଜିବୁ,
ଅଧୌତ ବାସ ପୁନଃ ପରିଧାନ,
ପରିତ୍ୟକ୍ତ ମାଳା ପୁନଃ ଗ୍ରହଣ,
କଲେ ମହା ଦୋଷ,
ଗର୍ଭବତୀ ପକ୍ଷେ ଏହା ଅବଶ୍ୟ ।୮୫।
ପିପୀଲିକା ଆଦି କୀଟ ଦୂଷିତ,
ଉଚ୍ଚିଷ୍ଟ ଆବର ସଢ଼ା ପଦାର୍ଥ,
ଗୋରସ ଅନ୍ନ ଆମିଷ ସହିତ,
ଯେ ଅନ୍ନ ଅସ୍ପୃଶ୍ୟ ଜନ ଆନୀତ,
ଏହା ନ ଭୁଞ୍ଜିବୁ,
ପବିତ୍ର ନିୟମ ତୁହି ପାଳିବୁ ।୮୬।
ରଜସ୍ୱଳା ସ୍ତିରୀ ଦୃଷ୍ଟି ପତନ,
ହୁଏ ଯେବେ ବରଜିବୁ ସେ ଅନ୍ନ,
ଅଞ୍ଜଳି ଦ୍ୱାରା କେବେ ଜଳପାନ
ଉଚିତ ନୁହେଁ ଏ ବୁଧ ବିଧାନ,
କହୁଛି ଗୋ ଧନୀ,
ଭୁଞ୍ଜି ଉଚ୍ଛିଷ୍ଟ ନ ରଖିବୁ ପୁଣି ।୮୭।
ସାରୁ ନାରିକେଳ ତିଳ ବା ତାଳ,
କନ୍ଦମୂଳ ଆଦି ଅନିଷ୍ଟ ଫଳ,
ନ ଭକ୍ଷିବୁ କେବେ ଏମାନ ଘେନ,
ଶିଶୁ ଅଙ୍ଗେ ଲଭେ ନାନା କଷଣ,
କହୁଛି ମୋ ମାତ,
ପାଳିବୁ ଏମାନ ତୁହି ନିରତ ।୮୮।
ଛତୁ ତରକାରୀ ବାଳିଆ ମାଛ,
ପେଣ୍ଡୁରା ଶାକାଦି ମଣିବୁ ତୁଚ୍ଛ,
ଛାଡ଼ିବୁ ବିଶେଷ ମଧୁର ଶ୍ରଦ୍ଧା,
ଯେ ଦେବ ଗର୍ଭସ୍ଥ ସନ୍ତାନେ ବାଧା,
ଏସନ ପଦାର୍ଥ,
ନ ଭକ୍ଷିବୁ ହୋଇ ତୁ ଆଶାୟିତ ।୮୯।
କଷା ତିକ୍ତ କଟୂ ଅତି ଆମ୍ବିଳ,
ଆବର ଲବଣ କି ତପ୍ତ ଜଳ,
ଗ୍ରାସ ଏମାନ ଗୋ କରିବୁ ନାହିଁ,
ଗର୍ଭସ୍ଥ ସନ୍ତାନେ ବାଧା ଜନ୍ମଇ,
ଲୋଭେ ଅତି ଗ୍ରାସ,
ତେଜିବୁ ଗୋ ମାଏ ଆଶା ଅବଶ୍ୟ ।୯୦।
କେଶ ମୁକୁଳା ମା ତ୍ରିସନ୍ଧ୍ୟା କାଳେ,
ନ କରି ବିଭୂଷା ନ ହେବୁ ଫୁଲେ,
ମଥା ଉତ୍ତର ବାରୁଣୀ ଦିଗକୁ,
କରି ମା ନ ଯିବୁ କେବେ ନିଦ୍ରାକୁ,
ଭମଣ ସମୟେ,
ଅନା-ବୃତ୍ତେ ନ ରଖିବୁଟି କାୟେ ।୯୧।
ରବି ଉଦେ ପୂର୍ବୁ ଶଯ୍ୟା ଛାଡ଼ିବୁ,
ଏକ ବସ୍ତ୍ରେ ଦେବାଳୟେ ନ ଯିବୁ,
ଷଡ଼ ନିଶୁଆସେ ଭିକ୍ଷୁକ ଗଣେ,
ଭିକ୍ଷା ଯାଚି ଦେବୁ ହରଷ ମନେ ।୯୨।
ଏନୀତି ପାଳିବୁ,
ସୁଯୋଗ୍ୟ ସନ୍ତାନ କୋଳେ ଧରିକୁ ।
କେବେ ମା ବୃଥା ବିଶେଷ ରୋଦନ,
କରି ନ ତିନ୍ତାଇବୁ ଅପଘନ,
ବେଶି ପରିଶ୍ରମ ଯେବଣ କାର୍ଯ୍ୟ,
ତହି ନ ଦେବୁ ତୋ କରି ସରୋଜ,
କହୁଛି ମୁଁ ବାରେ,
ନ ବସିବୁ ଏରୁଣ୍ଡିର ଉପରେ ।୯୩।
ସ୍ତନ ଭାଙ୍ଗି ଯେତେ ଦିନ ସନ୍ତାନେ,
କ୍ଷୀର ଦେଉ ଥିବୁ ହରଷ ମନେ,
ସୁପଥ୍ୟେ ସେହି ଦିନ ଯାଏ ନିତ୍ୟ,
ରହିବୁ ପାଳିମା ତୋର ଅପତ୍ୟ,
କହୁଛି ମୋ ଧନି,
ପେଟ ପୂରାଇ ନ ଭୁଞ୍ଜିବୁ ପୁଣି ।୯୪।
ରଙ୍କ ମନ ଯେହ୍ନେ ଗଣ୍ଠିରେ ଥାଇ,
ତେହ୍ନେ ମନପ୍ରାଣ ସନ୍ତାନେ ତୁହି,
ଅରପଣ କରି ସକଳ ଅଙ୍ଗ,
ଦେଖୁ ଥିବୁ କାହିଁ ହେଲେ କି ରୋଗ,
ସନ୍ତାନ ଦେବନା,
ମାତା ବିନା ପର କାହାକୁ ଜଣା ।୯୫।
କ୍ଷୁଧା ବାଧା ଅବା ହେଲେ ଯହିଁରେ
ସନ୍ତାପ କ୍ରନ୍ଦନ କରେ ଆତୁରେ,
ଶୁଣୁ ଯଦି ସେହି କ୍ରନ୍ଦନ ରୋଳ,
ତତକ୍ଷଣେ ଯାଇ କରିବୁ କୋଳ,
ଦେବୁ କ୍ଷୀର ପାନ
ବୁଝିବୁ ତହୁଁ ସେ କଲେ କ୍ରନ୍ଦନ ।୯୬।
ଶିଶୁ ଦେହ ସୁମନ ସୁକୁମାର
ଶେଯେ ଭାର ଦେବୁ ନାହିଁ ପରର,
ଗଜରୀ ବ୍ୟଥା ସୁମନ୍ତାନ ଅଙ୍ଗେ,
ଉପୁଜେ ଏହା ମୁଁ କହେ ତୋ ଆଗେ,
ବିଛଣା ଯତନେ,
ବିଛାଇ ଶୁଆଇବୁ ମା ସନ୍ତାନେ ।୯୭।
ଅଳତି ବାଛରା ଛାପି ଅନାଶି,
ଗଝୁରୀ ଖୁଦୁରୀ ହେଲେ ଯାକୁସୀ,
ଯେଉଁ ରୋଗକୁ ଯେ ଔଷଧ ଲୋଡ଼ି,
ଦେବୁଟି ସନ୍ତାନେ ମୂର୍ଚ୍ଛି କଉଡ଼ି !
ଘୋରା ଘୋରି ଆଦି
ରଖିବୁ ପୂରୁବ ଏହା ସମ୍ପାଦି ।୯୮।
ଭୂ ପରେ ଶୟନ ଅପତ୍ୟ ଗଣେ,
ନଦେବୁ ମାଆ ଗୋ କେବେହେଁ କ୍ଷଣେ,
ପ୍ରତି ଶନିବାରେ ପୁତ୍ରେ ସ୍ନାହାନ,
ବୁଧରେ କନ୍ୟାରେ କରି ବିଧାନ,
ଆଚରିବୁ ଧନ,
ଘୋରା ଘୋରି ପୂର୍ବୁ କରାଇ ପାନ ।୯୯।
ତେଲ ହଳଦି ନିୟମିତ କାଳେ,
ଦେଉ ଥିବୁ ହେଳା ନ କରି ଢାଳେ,
ଶିଶୁ ଦେହ ସଦା ନିର୍ମଳ ରଖି,
ପ୍ରତିଦିନ ନେଉଥିବୁ ପରକ୍ଷୀ
ସମ୍ପତ୍ତିରୁ ବଳୀ,
ପାଳନ କରିବୁ ଶିଶୁ ସଙ୍ଖାଳି ।୧୦୦।
କେବେ କେଉଁ ସାହି ପଡ଼ୋଶୀ ସ୍ତିରୀ,
ଅସ୍ପୃଶ୍ୟ ସ୍ନାହାନ କରିବା ହେରି,
ସନ୍ତାନେ ଅତି ଯତନେ ସେ ଦିନ,
ରଖିବୁ ନ ଦେଇ ତାଙ୍କ ଦର୍ଶନ,
ମୁଖ ଚୁହାଁ ଦେଲେ,
ସନ୍ତାନ ଜୀବନ ଯାଏଟି ହେଳେ ।୧୦୧।
ଅପୂର୍ଣ୍ଣ ବର୍ଷ ମଧ୍ୟେ କନ୍ୟା ପୁତ୍ରେ,
ପର ପ୍ରସୂତି ସ୍ତୀରୀ ଛାୟା ଗାତ୍ରେ,
ନ ପକାଇ ମାଗୋ କୌଶଳେ ଯିବୁ,
ଯଦି ଛାୟା ପଡ଼େ ଏହା ପାଳିବୁ,
ସୁତ ସଙ୍ଗେ ସୁତ,
ମିଳାଇଲେ ଦୋଷ ଯାଏ ତୁରିତ ।୧୦୨।
ଥାଉ ଥାଉ କୋଳେ ଶିଶୁ ସନ୍ତାନ,
ଦୈବେ ଗର୍ଭବାସ ହୋଇଲେ ପୁଣ,
ନଦେବୁ ସନ୍ତାନେ ତୋ ସ୍ତନୁ କ୍ଷୀର,
ସେ କ୍ଷୀର ପିଲାଙ୍କୁ କରେ ଅସାର,
ନାନା ରୋଗେ ପଡ଼େ,
ଶେଷ ସୂଷ୍ମ ପ୍ରାଣ ଯାଏ ଅଖଡ଼େ।୧୦୩।
ପ୍ରସୂତୀ ହେବା ପୂର୍ବେ କିବା ପରେ,
ଯଦି କେଉଁ ବ୍ୟାଧି ତୋର ଦେହରେ,
ଜନ୍ମିଥାଏ ମାଗୋ ପୁତ୍ର କନ୍ୟାରେ,
ନିଜ ସ୍ତନୁ କ୍ଷୀର ନ ଦେବୁ ବାରେ,
କହୁଛି ମୁଁ ଯାହା,
ଆଚରିବୁ ମାଗୋ ସନ୍ତାନେ ତାହା ।୧୦୪।
ଆଣ୍ଠେଇବା କାଳ ହେଲେ ସନ୍ତାନେ,
ଅଗ୍ନି କିବା ବିଷ ଦରବ ସ୍ଥାନେ,
ଛାଡ଼ି ଅଚିନ୍ତା ମା ନୋହିବୁ ତୁହି,
ବାରେ ବାରେ ତୋତେ କହୁଛି ମୁହିଁ,
ଏ ନୀତି ବିସ୍ମରି,
ଶତ ଶିଶୁଛନ୍ତି ଜୀବନେ ମରି ।୧୦୫।
ନିଜ ଦୃଷ୍ଟିରୁ କେବେ ହେଁ ଅନ୍ତର,
ପୁତ୍ର କନ୍ୟା ଗଣେ ନ କରି ତୋର,
ଦାସ ଦାସୀ କୋଳେ ଦେଇ ଅଚିନ୍ତା,
ନହେବୁ ତହିଁରେ ଅଶେଷ ଚିନ୍ତା,
ରଖି ରାତି ଦିନ,
ପାଳି ନେବୁ ସୁଖେ ଶିଶୁ ପରାଣ ।୧୦୬।
ନିୟମିତ କାଳେ ନିଦ୍ରା ଆହାର,
ନିତ୍ୟ କରାଇବୁ ସନ୍ତାନେ ତୋର,
ଏଣୁ ତେଣୁ କିଛି ଲୋଭରେ ପଡ଼ି
ଖୁଆଇବୁ ନାହିଁ ରୋଗଟି ଲୋଡ଼ି,
ଆସେ ଶିଶୁ କାୟେ,
ବୈଦ୍ୟ ସମେ ପାଳ ସନ୍ତାନ ଚୟେ ।୧୦୭।
ଦଶମାସ କାଳ ଗରଭେ ଥାଇ,
ତହିଁ ଯେ ବାଧା ସନ୍ତାନ ଦିଅଇ,
ତହୁଁ ଶତ ଗୁଣେ ପାଳନ ବ୍ୟଥା,
ଉଦ୍ୟାନ ପ୍ରତି ମାଳିର ଯେ ଚିନ୍ତା,
ବୃକ୍ଷ ପାଳନରୁ,
ସନ୍ତାନ ପାଳନ ଅଧିକ ଗରୁ ।୧୦୮।
ଜଳରୁ ତରଳ ଚଞ୍ଚଳ ଅତି,
ଅଟଇ ମାଆଗୋ ଶିଶୁଙ୍କ ମତି,
ଯେ ଶିକ୍ଷା ଶୈଶବୁ ସନ୍ତାନେ ପାଇ,
ଜୀବନ ଯାକ ସେ ତାହା ଭୁଞ୍ଜଇ,
ଏଣୁ ତୋ ସନ୍ତାନେ,
ଯତନେ ସୁଶିକ୍ଷା ଦେବୁ ସନ୍ତାନେ ।୧୦୯।
ବିଶ୍ରାମ ସନ୍ତାନେ କୋଳେ ବସାଇ,
ସରଳ କୌତୁକ ଗଳପ କହି,
ଦେଉ ଥିବୁ ତାଙ୍କ ମନେ ହରଷ
ରହେ ଯେହ୍ନେ ନୀତି ଗଳ୍ପରେ ଆଶ,
ନୀତିଟି ବୁଝଇ
ରହିବୁ ତାହାଙ୍କ ମନ ଭଞ୍ଜାଇ ।୧୧୦।
କେବେ କେବେ ସୁକ୍ଷ୍ମ ସରଳ ରେଖା,
ବୃତ୍ତ କି ବକ୍ର ରେଖା,
ସମ୍ବନ୍ଧ ଯାହା ଗୋ ଥାଇ,
ତାହା ହୃଦେ ଶିକ୍ଷା କହିବୁ ତୁହି,
ଏକରୁ ଦଶକ,
ମୌଖିକ ଗଣନ ଦେବୁ ଅଧିକ ।୧୧୧।
ପିତା ମାତା ଆଦି ଗୁରୁ ଜନରେ,
ଭକ୍ତି ଯେହ୍ନେ ସଦା ରହେ ହୃଦରେ,
ତେସନ ଉପଦେଶ ନୀତି ଦେବୁ,
ଅଶ୍ଳୀଳ ଭାଷା କୁହା ଛଡାଇବୁ,
ମଧୁର ଭାଷାରେ,
କଥା ନିତି ଆଚରିବୁ ଗୃହରେ ।୧୧୨।
ଯେସନ ତୋହର ସନ୍ତାନଗଣ,
କହିବେ ସର୍ବଦା ସତ୍ୟ ବଚନ,
ତେସନ ସତଶିକ୍ଷା ଗୃହେ ବିହିବୁ,
ଯଦି ମିଥ୍ୟା କହେ ତା ଶାସ୍ତି ଦେବୁ,
ମିଥ୍ୟା ଭାଷିଗଣେ,
ତିଳେ ସଙ୍ଗ ନ ଦେବୁ ମା ସନ୍ତାନେ ।୧୧୩।
ଦୁଶ୍ଚରିତ୍ର କିବା ଚୋର ବାଳକ,
ସଙ୍ଗେ ତୋ ସନ୍ତାନେ କେବେ ତିଳେକ,
ମିଳାଇବୁ ନାହିଁ କହୁଛି ତୋତେ,
ସଙ୍ଗରୁ ଦୋଷ ଗୋ ଆସେ ନିରତେ,
ଯେମନ୍ତ ସଙ୍ଗରେ,
ତେମନ୍ତ ଶିକ୍ଷା ଗୋ ବଢ଼େ ମନରେ ।୧୧୪।
ସ୍ୱାର୍ଥପର ଦ୍ୱେଷ କୁଟିଳ ବୁଧି,
ଅହଂକାର ଆତ୍ମା ବଡ଼ିମା ଆଦି,
ଶୈଶବୁ ସନ୍ତାନେ ଛଳେ ବୋଧାଇ,
ନିଷ୍ଠରତା ଭାବ,
ଛଡ଼ାଇ ଦେଖିବୁ ନିତ୍ୟ ସୁଲ୍ଲଭ ।୧୧୫।
ଅମାନ୍ୟତା କିବା ନଷ୍ଟ ସ୍ୱଭାବ,
ଅନାଚାର ଆଦି ଯେ ମନ୍ଦ ଥିବ,
ବେଳସୁ ମାଆ ଗୋ ଛଡ଼ାଇ ନେବୁ,
ହେଳା କଲେ ଭାବି ନିନ୍ଦା ଲଭିବୁ,
ଘଟକର ଘଟ,
ସମେ ସାଧି ନେବୁ ଶୈଶବ ବାଟ ।୧୧୬।
ଶିଶୁ କାଳ ନାନା ବେଶ ଭୂଷାରେ,
ଲାଳାଇତ ସନ୍ତାନରେ ଆଦରେ,
ନ କରିବୁ ମାଗୋ କହୁଛି ତୋତେ,
ଅଥବା ବିଳାସ ବାସେ କିଞ୍ଚିତେ,
ବସାଇ ନ ଦେବୁ,
ବିଷ ପ୍ରାୟେ ଏଥି ପ୍ରତି ଦେଖିବୁ ।୧୧୭।
ଶିଶୁ କାଳୁ ରଖି ଲାଳନା ରୀତି,
ସନ୍ତାନେ ବଶ୍ୟ ନକର ପ୍ରକୃତି,
ଯଦି ହୁଏ କେହି ପ୍ରକୃତି ବଶ୍ୟ,
କ୍ରମେ ଯତ୍ନେ ତାହା କରିବୁ ନାଶ,
ନ କରିବୁ ହେଳା,
ବୃଦ୍ଧିରେ ଡୁବିବ କର୍ତ୍ତବ୍ୟ ଭେଳା ।୧୧୮।
କୁକୁଟ ଡାକିବା ସମୟ ହେରି,
ପୁତ୍ର କନ୍ୟା ଗଣେ ନିତ୍ୟ ତୋହରି,
ଉଠାଇ ଶଯ୍ୟାରୁ ଈଶ୍ୱର ସ୍ତୁତି.
ପଢ଼ି ପଢ଼ାଇବୁ ମାଆ ଗୋ ନିତି,
ତହୁଁ ବଦ୍ୟାଶିକ୍ଷା,
ଦେଉ ଥିବୁ ସଦା କରି ଏ ଦୀକ୍ଷା ।୧୧୯।
ଧ୍ରୁବ ପ୍ରହଲାଦୁ ଦୃଢ଼ ବିଶ୍ୱାସ,
ଶ୍ରୀରାମ ଚନ୍ଦ୍ରଙ୍କ ସତ୍ୟ ପୌରୁଷ,
ସୌମିତ୍ରିଙ୍କର ଭାତୃ ଭକତି,
ଯୁଧିଷ୍ଠିରଙ୍କର ଧରମ ନୀତି,
କହି ଏ ବିଷୟ,
ବୁଝାଇ କରିବୁ ଜ୍ଞାନ ଉଦୟ ।୨୦୦।
ଯେଉଁ ଶିକ୍ଷା ତୋତେ ଆବାଲ୍ୟ ଦେଲି
ସେହି ଶିକ୍ଷା ତୋର କନ୍ୟାରେ ପାଳି,
ନେବୁ ମାଗୋ ତୋତେ ଏତେ କହୁଛି,
ଅବହେଳା ତହିଁ ନ କରି କିଛି,
ଦିନ ହରିନେବୁ,
ଉତ୍ତମ ମାତାରେ ପୂଜ୍ୟା ହୋଇବୁ ।୨୦୧।
ଦଶ ବର୍ଷେ କନ୍ୟା ବିଦ୍ୟା ପଠନ,
ତ୍ରୟୋ ଦଶେ ଗୃହ କାର୍ଯ୍ୟ ବିଧାନ,
ଶୋଡ଼ଷେ ସାରିବୁ ରନ୍ଧନ ଶିକ୍ଷା,
ମଧ୍ୟେ ମଧ୍ୟେ କରି ତାର ପରୀକ୍ଷା,
ତ୍ରୁଟିଥିଲେ କାହିଁ,
ବୁଝି ସଂଶୋଧନ କରିବୁ ତୁହି ।୨୦୨।
ମାତା ନୀତି ଭାବ ମନରେ ଥୋଇ,
ତହୁଁ ଭାଗ୍ୟଲତା ସନ୍ତୁଷ୍ଟ ହୋଇ,
ଜୁହାରି ଜନନୀ ପଦ ଯୁଗଳେ,
କହେ ସେ ମାତାଙ୍କୁ ତହୁଁ ବିକଳେ,
‘‘ମାଆ ବୋଲି ସିନା,
କହିଲୁ ତୁ ଏତେ ହୃଦ ଭାବନା’’ ।୨୦୩।
ଶିଶୁଶିକ୍ଷା ।
ସ୍ୱର୍ଣ୍ଣ ଚୁଡ଼ୀ ହେଉ ବଜ୍ର ନିରାଟ,
ସିନ୍ଦୁର ସଦା ମଣ୍ଡୁ ତୋ ଲଲାଟ,
ଅଞ୍ଜନ ବୋଳେ ନେତ୍ର ସଦାପୂରୁ,
ଅଳତାରେ ହେଉ ପୟର ଚାରୁ
ପତି ପୁତ୍ର ସଙ୍ଗେ,
ତୋ ଦିନ ସରୁ ମା କୌତୁକ ରଙ୍ଗେ ।୨୦୪।
ବାଳିକା ଯୁବତୀ ଏକତ୍ୱ ହୋଇ,
ସାଧ୍ୱୀ ନୀତିଫଳ ଲୁଟିବା ପାଇଁ,
ପ୍ରବେଶି ଏ ଭାଗ୍ୟଲତା ଉଦ୍ୟାନେ,
ଏଥୁ ପତ୍ର ଖଣ୍ଡି ନ ଛାଡ଼ି କ୍ଷଣେ,
ସବୁ ହରି ନିଅ,
ମାଏ ଏ ଫଳେ ଭାଗ୍ୟବତୀ ହୁଅ ।୨୦୫।
ଭାଗ୍ୟଲତାରେ
ବ୍ୟବହୃତ ହୋଇଥିବା କଠିନ ଶଦ୍ଦମାନଙ୍କର ଅର୍ଥ ।
୧ ପଦ ବସତି- ବାସସ୍ଥାନ । ଦମ୍ପତି- ପତିପତ୍ନୀ । ଅନପତ୍ୟ- ସନ୍ତାନହୀନ । ୨ ପଦ ବିଧି- ବିଧାତା । ବିଧାନ- ନିୟମ । ହୃଷ୍ଟ- ଆନନ୍ଦ ।
୩ ପଦ ଗଣକ- ଗଣନାକାରୀ । ସୁସିଦ୍ଧି- ଉତ୍ତମ ସୁଫଳତା । ୪ ପଦ ବାଳା-ନାୟିକା । ସଙ୍ଗିନୀ-ସହଚାରିଣୀ । ଉତ୍ତମା- ଶ୍ରେଷ୍ଠା । ଆଖ୍ୟା- ନାମ ।
୫ ପଦ ବିତି- ଯାପି । ପରିଣୟ-ବିବାହ । ସାନନ୍ଦ- ଆନନ୍ଦ । ବିବିଧ- ନାନାପ୍ରକାର । ୬ ପଦ ବିଦାୟ- ମେଳାଣି । ସମ୍ୱୋଧି-ସମ୍ୱୋଧନ କରି,(ବା ଆହ୍ୱାନ । ଆଲିଙ୍ଗି-ଆଲିଙ୍ଗନ କରି ।
୭ ପଦ କୃତାର୍ଥ-କୃତକାର୍ଯ । ପୂତ-ପବିତ୍ର । ସନ୍ତାପ- ଦୁଃଖ । ୧୦ ପଦ ଚାରିଧାମ-ପୂର୍ବେ- ଜଗନ୍ନାଥ । ପଶ୍ଚିମେ-ଦ୍ୱାରକାନାଥ. ଦକ୍ଷିଣେ- ରାମନାଥ । ଉତ୍ତରେ- ବଦ୍ରିନାଥ । ପାପିନୀ-ପାତକିନୀ ସ୍ତ୍ରୀ ।
୧୧ ପଦ ଶିରୋଧାର୍ଯ୍ୟ- ମଥାରେ (ଧାରଣୀୟ) ୧୨ ପଦ ରୋଗଗ୍ରସ୍ତ- ରୋଗଦ୍ୱାରା ଆକ୍ରାନ୍ତ । ପ୍ରଣୟ- ପ୍ରୀତି ।
୧୩ ପଦ ସରିତ-ନଦୀ । ୧୪ ପଦ ଦୁର୍ଜ୍ଜନ- ଦୁଷ୍ଟ । କୁହୁକ-ଇନ୍ଦ୍ରଜାଲ । ବିପଥ- ବି ପଦ ।
୧୫ ପଦ ଅସତ୍-ଅସାଧୁ । ୧୬ ପଦ ଫାନ୍ଦ- ଫାଶ । ବିଚ୍ଛିନ୍ନ- ବିଭିନ୍ନ । ଭବନ- ଗୃହ ।
୧୭ ପଦ ଅଶ୍ଳୀଳ- ଅଭଦ୍ର । ଗରଳ-ବିଷ । ଉଗାରି- ଉଦ୍ଗାରି । ୧୮ ପଦ କର୍କଶ- କଠିନ । ୧୯ ପଦ ପ୍ରଭୃତ୍ୱ- ଅଧିକାର । କିଙ୍କର-ଚାକର । ୨୦ ପଦ ପେୟ- ପାନୀୟ ପଦାର୍ଥ ।
୨୧ ପଦ ପଥିକ-ବାଟୋଇ । ବିଷର୍ଣ୍ଣ- ମ୍ଳାନ । ସନ୍ନିଧାନ-ସମିପ୍ୟ । ୨୩ ପଦ ମନ୍ତ୍ରୋପଦେଷ୍ଟା-କର୍ଣ୍ଣଗୁରୁ । ଦ୍ରବି-ମଜ୍ଜି । ନିରତ-ଅନୁକ୍ଷଣ । ନୀତି-ନିୟମ ।
୨୪ ପଦ ତତ୍ପର-ସଚେଷ୍ଟ । ଘନ-ମେଘ । ୨୫ ପଦ ସହାସ୍ୟ-ପ୍ରେମ । ଆସ୍ୟ-ମୁଖ । ସମ୍ଭାଷଣ-ଆଳାପ । କଷଣ-ଦୁଃଖ ।
୨୬ ପଦ ବିଖ୍ୟାତ-ପ୍ରକାଶ । ୨୭ ପଦ ପ୍ରତ୍ୟକ୍ଷ-ଚକ୍ଷୁ ଗୋଚର । ଅବାରଣ- ଉଦ୍ଧାର ନ ହେବା ଶିକ୍ଷାଦାତ୍ରୀ- ସ୍ତ୍ରୀ ଶିକ୍ଷକ । ବିଷାଦ-ଦୁଃଖ । ଢମ-ଅନ୍ଧାର ।
୨୮ ପଦ ସ୍ଫିତ-ଫୁଲିବା । ସୁମନ-ଫୁଲ । ୨୯ ପଦ କୁଳଶ-ବଜ୍ର । ୩୦ ପଦ ପ୍ରକୃତି-ସ୍ୱଭାବ । ଐଶ୍ୱଯ୍ୟ- ବିଭବ ।
୩୨ ପଦ କୁଟ-ସମୂହ । ବିକୃତ- ଅସୁନ୍ଦର । ଅଭୂଷିତ-ଭୂଷଣହୀନ । ଭସ୍ମ- ପାଉଁଶ । ଶିବା- ଦୁର୍ଗା । ୩୪ ପଦ ଭାବି-ଭବିଷ୍ୟତ୍ । ୩୫ ପଦ କରୀ-ହସ୍ତୀ ।
୩୬ ପଦ ଉଦକ-ଜଳ । ଅସନ-ଭୋଜନ ୩୭ ପଦ ଆଗୁସାର-ଅଗ୍ରସର । ୩୮ ପଦ ଅଜ୍ଞାତ- ଅଗୋଚର । ୩୯ ପଦ ବିରାଗୀ-ବୈରାଗ୍ୟଯୁକ୍ତ । ୪୦ ପଦ ବିଶ୍ରାମ-ଶ୍ରମହରିବା । କର୍ତ୍ତବ୍ୟ-କରଣୀୟ ।
୪୧ ପଦ କ୍ରୂର- ନିର୍ଦ୍ଦୟ । କୂଟିଳ- କପଟଯୁକ୍ତ । ଭର୍ତ୍ତା-ପତି । ଉଦାସ- ସଂସାର ତ୍ୟାଗୀ । ସଲାଳ-ଜଳ । ସୌଭାଗ୍ୟ- ସୁଦଶା । ୪୨ ପଦ ଗୋପନ- ଲୁଚାଇବା । ଶ୍ରୁତି- କର୍ଣ୍ଣ ।
୪୩ ପଦ ଧରିତ୍ରୀ- ପୃଥିବୀ । ସଚିବ-ମନ୍ତ୍ରୀ । ୪୪ ପଦ ସମ୍ମାନ- ସମାଦର । ୪୫ ପଦ ଦ୍ୱେଷ-ଈର୍ଷା । ନୀର- ଜଳ । ୪୬ ପଦ ବିକଳ୍ପ- ସନ୍ଦେହ । ସୌମିତ୍ରୀ- (ସୁମିତ୍ରା ପୁତ୍ର) (ଲକ୍ଷ୍ମଣ । ପାଞ୍ଚାଳି-ପାଞ୍ଚାଳକନ୍ୟା, ଦ୍ରୌପଦୀ ।
୪୭ ପଦ ସୁ-ନାରୀ- ଉତ୍ତମ ସ୍ତ୍ରୀ । ୪୮ ପଦ ଭଗାରୁଣୀ- ସ୍ତ୍ରୀ ଶତ୍ରୁ । ଦ୍ୱନ୍ଦ- କଳହ । ୪୯ ପଦ ଅହି- ସର୍ପ । ପ୍ରମାଦ- ଭ୍ରମ । ମେଣ୍ଟାଇ- ଖଣ୍ଡନକରାଇ ।
୫୦ ପଦ ଅତିଥି- ଅଭ୍ୟାଗତ । ୫୧ ପଦ ପ୍ରଭାତ- ସକାଳ । ୫୨ ପଦ ବିବେକୀ- ଚତୁରୀ । ପତିବ୍ରତା- ପତିଭକ୍ତା । ଶିରୀ- ଶୋଭା । ତୋରା- ସୁନ୍ଦର ।
୫୩ ପଦ ଅପାର- ପାର ନ ହେବା । ସାଗର- ସମୁଦ୍ର । ଶ୍ୱଶ୍ରୁର- ଶାଶୁ । କୂଳ- ତୀର । ଖାତା- ଲେଖିବା ବହି । ୫୪ ପଦ କ୍ଷରଇ- ସ୍ରବଇ । ୫୬ ପଦ ପରଶ୍ରୀକାତର-ଯେ ପରର ସୁଖ ଦେଖି ସହି ପାରେନାହିଁ । ଅନଳ- ନିଆଁ ।
୫୭ ପଦ ପିପିଲିକା-ପିମ୍ପୁଡ଼ି । ଶ୍ୱାନ- କୁକୁର । ୫୮ ପଦ କୁତ୍ସିତ- କଦର୍ଯ୍ୟ । ୫୯ ପଦ ଗମ୍ଭୀର- ଉଦାର । ସାଗର- ସମୁଦ୍ର । ଭାନୁ-ସୂର୍ଯ୍ୟ । ବିଦ୍ୟୁ- ବିଜୁଳି
୬୧ ପଦ ଭୂଷଣ-ଅଳଙ୍କାର ଦୂଷଣ-ଦୋଷ ସନ୍ତାପ-ଦୁଃଖ ୬୩ ପଦ ଅରି- ଶତ୍ରୁ କାମ-କାମନା କ୍ରୋଧ- କୋପ ମୋହ- ଅଜ୍ଞାନ ମଦ- ଗର୍ବ
୬୪ ପଦ ସୃଷ୍ଟି- ସର୍ଜନା ୬୫ ପଦ କଳଙ୍କ- ଅପଯଶ ଅବଳା-ନାରୀ ସରଳା-ନାରୀ ୬୬ ପଦ ହେରିବେ- ଚାହିଁବା ୬୭ ପଦ ବିନମ୍ର-ବିନୟ ୬୮ ପଦ ଭୂଷଣ- ଅଳଙ୍କାର କବରୀ- ଜୁଡ଼ା
୬୯ ପଦ ଛିଦ୍ର-ଦୋଷ କଳଙ୍କୀ- ଦୁର୍ନାମ ଅଛି ଯାହାର ମୃଗତୃଷ୍ଣା- ପ୍ରଖର ସୂର୍ଯ୍ୟ କିରଣରେ ଦୂରରେ ଜଳଭ୍ରମ ଶଶ- ଠେକୁଆ ୭୦ ପଦ ନିରାଶ୍ରୟ-ଆଶ୍ରୟହୀନ ଅଜ୍ଞାତ-ଅଜଣା ୭୧ ପଦ ଧାନ୍ୟ- ଧାନ ଢଳପ- ଶେଜ
୭୩ ପଦ ଆମୂଳ-ମୂଳରୁ କଳି- କଳନା କରି ଯାଚନା- ଭିକ୍ଷା ସତ୍ୱର- ସେହିକ୍ଷଣି ୭୪ ପଦ ସନ୍ତାପ- ଦୁଃଖ ୭୫ ପଦ ବଇଦେହୀ-ସୀତା ଭବନ-ଗୃହ
୭୬ ପଦ ସମ୍ପଦ-ଧନ ଅମିୟ- ଅମୃତ ମୋଦ-ଆନନ୍ଦ ୭୮ ପଦ ଅଜ୍ଞାତ- ଲୁଚି ରହିବା ଦୀନା- ଦରିଦ୍ରତା ୭୯ ପଦ ଘୋର- ଭୟଙ୍କର ନିବିଡ଼-ଘନ ଅରଣ୍ୟ- ବନ ବିବେକ- ଉତ୍ତମ ବିବେଚନା
୮୧ ପଦ ଯଶ-ନିୟମ ସଂକ୍ଷେପ- ଅଳ୍ପୀକରଣ କୁମ୍ଭୀପାଳ- ନରକ ବିଶେଷ ୮୩ ପଦ ଦ୍ୱେଷ- ଇର୍ଷା ଉଭାନ-ଚିତ ବର୍ଜନ- ତ୍ୟାଗ ୮୪ ପଦ କୁସୁମ- ଫୁଲ ସ୍ପର୍ଶ-ଛୁଇଁବା
୮୫ ପଦ ପରିଧାନ- ପିନ୍ଧିବା ଗ୍ରହଣ- ଘେନିବାର ଗର୍ଭବତୀ- ଗର୍ଭିଣୀ ୮୬ ପଦ ପିପିଲିକା-ପିମ୍ପୁଡ଼ି କୀଟ- ପୋକ ଦୂଷିତ- ଦୋଷଯୁକ୍ତ ଅସ୍ପୃଶ୍ୟ-ସ୍ପର୍ଶର ଅଯୋଗ୍ୟ ରଜସ୍ୱଳା- ଋତୁମତୀ
୮୭ ପଦ ବୁଧ- ପଣ୍ଡିତ ୮୮ ପଦ ନାରିକେଳ-ନଡ଼ିଆ ତିଳ- ରାଶି କଷଣ- ଦୁଃଖ ୮୯ ପଦ ପେଣ୍ଡୁରା-ବନ୍ୟଜାତ ଫଳ ବିଶେଷ ୯୦ ପଦ ତିକ୍ତ-ପିତା କଟୁ- କଡ଼ୁଆ ୯୧ ପଦ କେଶ- ବାଳ ବିଭୂଷା-ବିଶେଷରେ ଭୂଷଣ ହେବା । ବାରୁଣୀ- ପଶ୍ଚିମ ଦିଗ ଅନାବୃତେ- ଖୋଲା
୯୩ ପଦ ରୋଦନ- କ୍ରନ୍ଦନ ଅପଘନ-ଦେହ ସରୋଜ- ପଦ୍ମ ୯୪ ପଦ ଅପତ୍ୟ-ପୁତ୍ରକନ୍ୟା ୯୫ ପଦ ଅର୍ପଣ- ସମର୍ପଣ ୯୬ ପଦ ରୋଳ-ଅବ୍ୟକ୍ତ ଶବ୍ଦ ୯୭ ପଦ ସୁମନ- ଫୁଲ ଗଜରୀ-(ଶିଶୁ ଦେହ ବ୍ୟଥା) ରୋଗ ବିଶେଷ ଉପୁଜେ-ଜାତ ହୁଏ ବିଛଣା- ଶେଯ
୯୮ ପଦ ଖୁଦୁରୀ-ବାତି ବାନ୍ତି ରୋଗ ଅଳତି- ବ୍ରଣ ବିଶେଷ ବାଛରା- ଝାଡ଼ା ରୋଗ ଛାପି- ମୁଖରୋଗ ଅନାଶ୍ୟ- କଫ ରୋଗ ୧୦୦ ପଦ ସଙ୍ଖାଳି-ସର୍ବସ୍ୱ ଧନ ୧୦୧ ପଦ ଅସ୍ପୃଶ୍ୟ-ଛୁଇଁବା ଅଯୋଗ୍ୟ ମୁଖଚୂହାଁ- ଶିଶୁ ରୋଗ ବିଶେଷ
୧୦୨ ପଦ ପ୍ରସୂତୀ-ନବସନ୍ତାନବତୀ ଗାତ୍ର- ଦେହ ୧୦୩ ପଦ ସୂଷ୍ମ-ସରୁ ୧୦୫ ପଦ ବିସ୍ମରି- ପାସୋରି ୧୦୭ ପଦ କାୟ- ଦେହ ବୈଦ୍ୟା-ଚିକିତ୍ସିକା ଚୟ- ସମୂହ ୧୦୮ ପଦ ଉଦ୍ୟାନ-ବନ ଗରୁ-ଭାରି ୧୦୯ ପଦ ମତି-ମନ ଶୈଶବ- ଶିଶୁକାଳ ସଦନ- ଗୃହ
୧୧୦ ପଦ ବିଶ୍ରାମ- ଶ୍ରମ ହରିବା ହର୍ଷ- ଆନନ୍ଦ ରଞ୍ଜାଇବା- ସନ୍ତୋଷ କରାଇବା ୧୧୧ ପଦ ସରଳ-ସିଧା ବୃତ୍ତି- ଚକ୍ରାକାର କ୍ଷେତ୍ର ମୌଖିକ-ମୁଖ ସମ୍ବନ୍ଧୀୟ ୧୧୨ ପଦ ଅଶ୍ଲୀଳ-ଅଭଦ୍ର ୧୧୩ ପଦ ସର୍ବଦା- ସଦାବେଳେ ୧୧୪ ପଦ ଦୁଶ୍ଚରିତ୍ର- ମନ୍ଦ ଆଚରଣ ୧୧୫ ପଦ ସ୍ୱାର୍ଥପର- ନିଜ ପ୍ରୟୋଜନ । ସାଧନରେ ତତ୍ପର, ପର ପ୍ରୟୋଜନ ପ୍ରତି ଉପେକ୍ଷାକାରୀ ଦ୍ୱେଷ- ଶତ୍ରୁତା କୁଟିଳ- କପଟ ଯୁକ୍ତ ଅହଂକାର- ଗର୍ବ ଆତ୍ମବଡ଼ିମା- ନିଜକୁ ନିଜେ ପ୍ରଶଂସା କରିବା
ନିଷ୍ଠୁର- ନିର୍ଦ୍ଦୟ ୧୧୬ ପଦ ଭାବି- ଭବିଷ୍ୟତ ଘଟକର- କୁମ୍ଭାର ୧୧୭ ପଦ ବିଳାସ- ଆମୋଦ ପ୍ରମୋଦ ୧୧୮ ପଦ ଲାଳନ- ସସ୍ନେହ ପାଳନ ପ୍ରକୃତି-ସ୍ୱଭାବ ୧୧୯ ପଦ କୁକୁଟ-କୁକୁଡ଼ା ସ୍ତୁଭି- ସ୍ତବ ଦୀକ୍ଷା-ଉପଦେଶ ଦୃଢ଼- ସ୍ଥିର, କଠିନ ପୌରୁଷ-ପରାକ୍ରମ ସୌମିତ୍ରୀ-(ସୁମିତ୍ରା ପୁତ୍ର) ଲକ୍ଷ୍ମଣ
୧୨୦ ପଦ ଆବାଲୁ୍ୟ- ବାଲ୍ୟ କାଳୁ ୧୨୧ ପଦ ତ୍ରୟୋଦଶ-ତେର ଷୋଡ଼ଶ- ଷୋହଳ ତ୍ରୁଟି- ହେଳା ସଂଶୋଧନ- ଶୁଦ୍ଧ କରଣ
୧୨୨ ପଦ ସନ୍ତୁଷ୍ଟ-ତୃପ୍ତ ୧୨୪ ପଦ ସ୍ୱର୍ଣ୍ଣ- ସୁନା ଚୁଡ଼ୀ କରଭୂଷଣ ବିଶେଷ ନିରାଟ- କଠିନ ଅଞ୍ଜନ- ନେତ୍ର କଳା ଚାରୁ- ସୁନ୍ଦର ୧୨୫ ପଦ ଏକତ୍ୱ- ଅଭେଦ ସାଧ୍ୱୀ-ସତୀ ଉଦ୍ୟାନ- ଉପବନ ଭାଗ୍ୟବତୀ- ସୌଭାଗ୍ୟଶାଳିନୀ |