କୋଇଲି, କାନ୍ତ ମୋର ଗଲେ ମୃଗ ମାରି,
କପଟେ ରାବଣ ମୋତେ ନେଉଅଛି ଧରି ଲୋ
କୋଇଲି ! ।୧।
କୋଇଲି, ଖଳ ବୋଲି ଜାଣି ନ ପାରିଲି,
ଖଳ ଯେ କନକ ମୃଗ ଦେଖି ଲୋଭ କଲି ଲୋ,
କୋଇଲି ! ।୨।
କୋଇଲି, ଗରୁ ଶ୍ରଦ୍ଧା ବଳିଲା ମୋହର,
ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମାର ଲୋ,
କୋଇଲି ! ।୩।
କୋଇଲି, ଘଟଣା ଯା କରିଛି ବିଧାତା,
ଘୋର ବନେ ମୃଗ ମାରି ଗଲେ ମୋ କରତା ଲୋ,
କୋଇଲି ! ।୪।
କୋଇଲି, ଲକ୍ଷ୍ମଣକୁ ଜଗାଇ ଦୁଆର,
ନାରାଚରେ ମୃଗ ବିନ୍ଧି ଗଲେ ରଘୁବୀର ଲୋ,
କୋଇଲି ! ।୫।
କୋଇଲି, ଚାପଧରି ଗଲେ ରଘୁନାଥ,
ଚାପେ ଶର ସନ୍ଧି ମୃଗ ପ୍ରାଣ କଲେ ହତ ଲୋ,
କୋଇଲି ! ।୬।
କୋଇଲି, ଛାଡ଼ିବାର ବେଳେ ମୃଗ ପ୍ରାଣ,
ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ ଲୋ,
କୋଇଲି ! ।୭।
କୋଇଲି, ଜାଣି ନ ପାରିଲି ଛନ୍ଦ ମୁହିଁ,
ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇ ଲୋ,
କୋଇଲି ! ।୮।
କୋଇଲି, ଝଟତିରେ ଯାଆନ୍ତେ ଲକ୍ଷ୍ମଣ,
ଝାଡ଼ର ଭିତରେ ଲୁଚି ଥିଲାଟି ରାବଣ ଲୋ,
କୋଇଲି ! ।୯।
କୋଇଲି, ନିର୍ମଳ ତପସ୍ୱୀ ରୂପ ଧରି,
ନିର୍ଭରେ ବସିଲା ଆସି ଦୁଆର ଆବୋରି ଲୋ,
କୋଇଲି ! ।୧୦।
କୋଇଲି, ଟେକିଣ କହଇ ମାୟା ଯତି,
ଟେକି ମୋତେ ଫଳ ଭିକ୍ଷା ଦିଅ ମହା ସତୀ ଲୋ
କୋଇଲି ! ।୧୧।
କୋଇଲି, ଠିକ କଥା ଜାଣି ନ ପାରିଲି
ଠକ ଯତି କରେ ପୁଣି ଫଳ ଭିକ୍ଷା ଦେଲି ଲୋ,
କୋଇଲି ! ।୧୨।
କୋଇଲି, ଡିଙ୍ଗର ରାବଣ ବଡ଼ ଦୁଷ୍ଟ,
ଡାହାଣ ଭୁଜକୁ ମୋର ଧରିଲା ପାପିଷ୍ଠ ଲୋ
କୋଇଲି ! ।୧୩।
କୋଇଲି, ଢଳିଣ ଚାହିଁଲା ଆକାଶକୁ,
ଢାଳେ ରଥ ଶୂନ୍ୟେ ଆସି ମିଳିଲା ତାହାକୁ ଲୋ,
କୋଇଲି ! ।୧୪।
କୋଇଲି, ଆଣି ମୋତେ ରଥରେ ବସାଇ,
ଆକାଶ ମାର୍ଗରେ ରଥ ନେଲା ତହୁଁ ବାହି ଲୋ,
କୋଇଲି ! ।୧୫।
କୋଇଲି, ତୁରିତେ ତା ରାଜ୍ୟରେ ମିଳିଲା
ତହୁଁ ଅଶୋକ ବନରେ ମୋତେ ଲୁଚାଇଲା ଲୋ,
କୋଇଲି ! ।୧୬।
କୋଇଲି, ଥାନ୍ତି ଜଗି ସହସ୍ରେ ଅସୁରୀ,
ସ୍ଥାନ ଟିକିଏ ନଥାଏ ବସିଥାନ୍ତି ଘେରି ଲୋ,
କୋଇଲି ! ।୧୭।
କୋଇଲି, ଦିବାରାତି ଦୁଇ ମୋର ଏକା,
ଦିନ ନ ସରଇ ନିରନ୍ତରେ କରି ଦକା ଲୋ,
କୋଇଲି ! ।୧୮।
କୋଇଲି, ଧାତା ମୋତେ ଏତେ କଷ୍ଟ ଦେଲା
ଧରାଇ ଅସୁର ଘରେ ବନ୍ଦୀ କରାଇଲା ଲୋ,
କୋଇଲି ! ।୧୯।
କୋଇଲି, ନାରାଚ ଘେନିଣ ରଘୁନାଥ,
ନିମିଷରେ ମୃଗ ମାରି ଆସି ବେନି ଭ୍ରାତ ଲୋ,
କୋଇଲି ! ।୨୦।
କୋଇଲି, ପର୍ଣ୍ଣକୁଟୀ ଦ୍ୱାରେ ଡାକୁଥିବେ,
ପୟର ପଖାଁଳୁ ଜଳ ଦିଅ ସୀତା ଏବେ ଲୋ,
କୋଇଲି ! ।୨୧।
କୋଇଲି, ଫୁଟି ଡାକୁଥିବେ ବେନିଭାଇ,
ଫୁଟିଛୁଁ ତୃଷାରେ ଜଳ ଦିଅ ବଇଦେହୀ ଲୋ,
କୋଇଲି ! ।୨୨।
କୋଇଲି, ବୋଲ ଯେବେ ନ ଶୁଣିବ ମୋର,
ବୋଲିବେ କେ ଘେନିଗଲା ସୀତାଙ୍କୁ ଆମ୍ଭର ଲୋ,
କୋଇଲି ! ।୨୩।
କୋଇଲି, ଭାଇ ବେନି ବନେ ବୁଲୁଥିବେ,
ଭଲ ଲୋକ ଦେଖିଲେ ବାରତା ପଚାରିବେ ଲୋ,
କୋଇଲି ! ।୨୪।
କୋଇଲି, ମଢ଼ିଆ ଦୁଆରେ ବେନିଭାଇ,
ମୋତେ ଡାକୁଥିବେ କାନ୍ତ ମୃଗଭାର ଥୋଇ ଲୋ,
କୋଇଲି ! ।୨୫।
କୋଇଲି, ଜୀବ ଯିବା ପ୍ରାୟେ ହେଉଥିବେ,
ମାସକ ଯେ ଲକ୍ଷେ ଯୁଗ ପରାୟେ ମଣିବେ ଲୋ,
କୋଇଲି ! ।୨୬।
କୋଇଲି, ରାବୁଥିବେ ମୋର ନାମ ଧରି,
ରାତ୍ର ଦିବା ନୟନରୁ ବହୁଥିବ ବାରି ଲୋ,
କୋଇଲି ! ।୨୭।
କୋଇଲି, ଲଙ୍କାର ରାବଣ ଆଣିବାର,
ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର ଲୋ,
କୋଇଲି ! ।୨୮।
କୋଇଲି, ବାରତା ପାଇଲେ ପ୍ରାଣନାଥ,
ବାରାନିଧି ବାନ୍ଧିଣ ଆସିବେ ବେନିଭ୍ରାତ ଲୋ,
କୋଇଲି ! ।୨୯।
କୋଇଲି, ଶତ୍ରୁ ରାବଣକୁ ବିନାଶିବେ,
ଶାଢ଼ି ବାନ୍ଧି ବିଭୀଷଣେ ରାଜା କରାଇବେ ଲୋ,
କୋଇଲି ! ।୩୦।
କୋଇଲି, ଶ୍ରୀରାମ ଲକ୍ଷ୍ମଣ ବେନିଭାଇ,
ଶିଷ୍ଟ ପାଳି ଦୁଷ୍ଟ ନାଶି ଉଶ୍ୱାସନ୍ତି ମହୀ ଲୋ,
କୋଇଲି ! ।୩୧।
କୋଇଲି, ଶୁଭେ ହୋଇ ଲଙ୍କାରେ ପ୍ରବେଶ,
ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ ଲୋ,
କୋଇଲି ! ।୩୨।
କୋଇଲି, ହେବେ ମୋତେ ଘେନି ଅଭିଷେକ,
ହରଷେ ଖଟିବେ ତାଙ୍କ ପାତ୍ର ମନ୍ତ୍ରୀ ଲୋକ ଲୋ,
କୋଇଲି ! ।୩୩।
କୋଇଲି, କ୍ଷମେ ରାମ ଅଯୋଧ୍ୟା ପ୍ରବେଶ,
କ୍ଷ କ୍ଷନ୍ଦେ ଭଣିଲେ ଗୀତେ ବଳରାମ ଦାସ ଲୋ,
କୋଇଲି ! ।୩୪।