ଗ୍ରାମ୍ୟରସ ଚଉତିଶା

ବନମାଳୀ ଦାସ

 

(ରାଗ – ବୟନ୍ତ – ତାଳ-ଝୁଲା)

କଳାବତୀ ଖଞ୍ଜନାକ୍ଷୀ ଗୁରୁ ନିତମ୍ବିନୀ

ଘନ କେଶୀ ଊରୁ ଶୋଭୀ ଚମ୍ପକ ବରନୀ

ଛାନ୍ଦ ପଠିନୀରେ ।୧।

 

ଜଳଜ ବାସିନୀ ଝୀନ ବସନୀ ନବୀନା

ଟେକସ୍ତନା ଠଣମୁଖୀ ଡାଳିମ୍ବ ଦଶନା

ଢଗବଚନାରେ ।୨।

 

ଅରୁଣାଧରୀ ତରୁଣୀମଣି ଥିର ଗତି

ଦରହାସୀ ଧାରାହୀରେ ନବ ରସବତୀ

ପ୍ରୀତି ମୂରତିରେ ।୩।

 

ଫୁଲ କୋମଳା ବିବିଧ ବିଳାସ ମଣ୍ଡନା

ଭାବମୟୀ ମୋତି ଦନ୍ତୀ ଯତି ଧୈର୍ଯ୍ୟ ଘେନା

ରସ ବର୍ଦ୍ଧନାରେ ।୪।

 

ଲାବଣ୍ୟନିଧି ବିଚିତ୍ର ବେଶ ମନୋହର

ଶଚୀପତି ଶିରୀଦାୟୀ ସୁରଦର୍ପହରା

ସିଦ୍ଧି ପସରାରେ ।୫।

 

ହାସ ମଞ୍ଜୁଳା ହୃଦୟା ତାପ ଧ୍ୱଂସକରା

କ୍ଷଣଦା କାନ୍ତ ତୁ ବନମାଳୀ ଦିନସରା

କ୍ଷମା ନିଧାନୀରେ ।୬।