( ୧ )
କରତା ପୁରୁଷ ବୋଲି କରପତ୍ର ଯୋଡ଼ି,
କାରଣ ନିମନ୍ତେ ନିତ୍ୟ ପାଦତଳେ ପଡ଼ି,
କୃପା ସାଗର ମହିମା,
କଷଣ ପଛୁଛି ଯେତେ କି ଦେବି ଉପମା ।୧।
ଖମ୍ବ ପ୍ରାୟ ବିରାଜିଛ ଅଲେଖ ଅଦ୍ଭୁତ,
କ୍ଷୟ ବୃଦ୍ଧି ନାହିଁ ନାମ ଚାରିଯୁଗେ ସତ,
କ୍ଷମା ସାଗର ପୁରୁଷ,
ଖେଳିବି ବୋଲି ସଂସାରେ କରିଅଛି ଆଶ ।୨।
ଗିରି ମେରୁପ୍ରାୟ ବାନା ଉଦୟେ ସଂସାରେ,
ଗର୍ଭ ପୋଡ଼ି ଯାଉଅଛି ଶୋକ ସନ୍ତାପରେ,
ଗତି ମୁକତି ଶ୍ରୀଗୁରୁ,
ଗାରିସାରି ହୋଇ ଦିବା ରଜନି ନ ସରୁ ।୩।
ଘୋଟିଅଛି ପଦ୍ମପାଦ ତିନି ଭୁବନରେ,
ଘେନି ଧରିଅଛି ଦୃଢ଼ବନ୍ଧେ ହୃଦୟରେ,
ଘଟଯୁଗ ପ୍ରାଣପତି,
ଘଡ଼ିକି ଘଡ଼ି ମନରେ ପଡ଼ୁଛି ବିପତ୍ତି ।୪।
ଅଲେଖ ମହିମା ଭଜି କରିଛି ଆଶରା,
ଅଙ୍ଗେ ପଡ଼ୁଅଛି ଦୁଃଖ ନ ଯାଏ ପାଶୋରା,
ଅବଧୃତ ବାନା ଉଦେ,
ଆଜ୍ଞାହେଉ ପ୍ରଭୁ ମୋତେ ଶ୍ରୀମୁଖରୁ ପଦେ ।୫।
ଚନ୍ଦ୍ର କିରଣ ପରାୟ ଯାର ପଦ୍ମପାଦ,
ଚକ୍ରବାନା ଥାଉଁ ଥାଉଁ ପଡ଼ୁଛି ପ୍ରମାଦ,
ଗୁରୁଚରଣ ମୁଁ ଧରି,
ଚିଦାନନ୍ଦ ପ୍ରଭୁ ବୁଝ ବୁଝ ବେଗକରି ।୬।
ଛତ୍ର ପ୍ରାୟ ପାଦକୁ ମୁଁ କରିଅଛି ଆଶା,
ଛାୟାତଳେ ଥାଉଁ ଥାଉଁ ନ ହରୁଛି ତୃଷା,
ଛଡ଼ ବେଦପରେ ଭଜି,
ଛବି ଚାହାଣି ଚାତୁରି ଦୁରାନ୍ତରେ ତେଜି ।୭।
ଯେବଣ ମହିମା ତିନି ଭୁବନେ ବିଖ୍ୟାତ,
ଜାଣି ନେଇ ଲଗାଇଛି ପଦ୍ମପାଦେ ଚିତ୍ତ,
ଯୁଗକରତା ପୁରୁଷ,
ଜୀବନ ଛାଡ଼ି ଶରୀରୁ ହୋଇଲାଣି ଶେଷ ।୮।
ଝର ଝର ହୋଇ ବହୁଅଛି ଅଶ୍ରୁଧାର,
ଝଞ୍ଜକା ଭିତରୁ ସ୍ୱାମୀ ସମ୍ଭାଳନା କର,
ଝଟତିରେ ବୁଝ ପ୍ରଭୁ,
ଝଡ଼ି ପଡ଼ିଲାଣି ଆଶା ଭରସା ମୋ ସବୁ ।୯।
ନିଜ ମହିମା କରତା ନିଅ ପାରକରି,
ନିଶି ଦିବସରେ ଦରଶନେ ମୁଁ ସୁମରି,
ନାମ ନିଷ୍କାମ ଧରମ,
ନିନ୍ଦିତରୁ ଲଜ୍ୟା ମୋତେ ହେଲାଣି ଶରମ ।୧୦।
ଟାଣ ଶୂନ୍ୟ ପ୍ରଭୁଙ୍କୁ ମୁଁ କରୁଛି ଭଜନା,
ଟଳି ଯାଉଅଛି ମୋର ଆଗତ ପାଞ୍ଚନା,
ଟାକି ଅଛି କରତାଙ୍କୁ,
ଟିକସ ବସି ଗଲାଣି ନେତ୍ରେ ଦେଖୁ ଦେଖୁ ।୧୧।
ଠାକୁରଙ୍କ ଶ୍ରୀଚରଣେ କରିଅଛି ଆଶ,
ଠିକଣାରେ ବୁଝ ପ୍ରଭୁ ତୁମ୍ଭ ନିଜ ଦାସ,
ଠିକେ କହେ ଭୀମ ଭୋଇ,
ଠାବ ରଞ୍ଚନା ହେଲାଣି ଧର୍ମରୁ ଛଡ଼ାଇ ।୧୨।
ଡେଙ୍ଗା ଜଗତିରେ ଥାଇ ଡୋଳେ ଦେଖ ପ୍ରଭୁ,
ଡକାଇତ ପ୍ରାୟ ମୁଁ ଯେ ପାଉଅଛି ଲଘୁ,
ଡାକୁ ଅଛି ମୁଁ ଆତଙ୍ଗେ,
ଡରୁଛି ଜୀବନ ମୋର କେହି ନାହିଁ ସଙ୍ଗେ ।୧୩।
ଢୁଳ ମାଡ଼ୁ ନାହିଁ ମୋତେ ଦିବସ ରଜନୀ,
ଢଙ୍ଗ ରଙ୍ଗ କଥା ସବୁ ଅନ୍ତର୍ଗତେ ଜାଣି,
ଢାଳି ବାନା ତଳେ ରଖ,
ଢୋକିଲାଣି କାଳକୂଟ ଏତେବେଳେ ଦେଖ ।୧୪।
ଅଣ ରୂପ ସ୍ୱାମୀଙ୍କି ମୁଁ ଭଜନା କରୁଛି,
ଅବ୍ୟଗତ ବ୍ରହ୍ମ ବିନୁ ନ ଜାଣଇ କିଛି,
ଅଣାକାର ସ୍ୱାମୀ ବିଜେ,
ଅନ୍ତର୍ଯ୍ୟାମୀ ଗୁରୁସ୍ୱାମୀ ରଖନ୍ତୁ ସହଜେ ।୧୫।
ତର ତର ହୋଇ ମୁଁ ଯେ ତିୟାରୁଛି ପଦ,
ତାକି ନାହିଁ ଆଗ ପଛ ବେଦକି ନିର୍ବେଦ;
ତୁନି ତୈଲୋକ୍ୟ କରତା,
ତାଳପତ୍ରେ ଲେଖୁଅଛି ବୁଝିବ ବାରତା ।୧୬।
ଥୟ ଥିତି ନାହିଁ ମୋର ପଞ୍ଚଭୁତ ମନ;
ଥରକୁ ଥର ଛାମୁରେ କରୁଛି ଜଣାଣ,
ଥଳ ମହା ନିତ୍ୟବାସୀ,
ଥାଉଁ ଥାଉଁ ଗୁରୁଦେବ ଯାଉଅଛି ଭାଷି ।୧୭।
ଦଇବ କରତା ପ୍ରଭୁ ଅଟ ହେ ଆପଣ,
ଦରିଦ୍ର ପ୍ରାଣୀଙ୍କ ଧନ ଦୁଃଖୀର ଜୀବନ,
ଦୟାବନ୍ତ ପ୍ରଭୁ ମୋର,
ଦୁରାକଷ୍ଟରୁ ବଞ୍ଚାଇ ସମ୍ଭାଳନା କର ।୧୮।
ଧାରଣା ହୋଇଛି ଧର୍ମ ରବିତଳେ ଆସି,
ଧର୍ମାର୍ଥ ପୁରୁଷ ସ୍ୱାମୀ ମହା ନିତ୍ୟବାସୀ,
ଧାରା ବୁଝାମଣା ହେଉ,
ଧରଣୀରେ ଯଶକୀର୍ତ୍ତି ଯୁଗେ ଯୁଗେ ରହୁ ।୧୯।
ନବଖଣ୍ଡ ମେଦିନୀରେ ବିଜେ ବ୍ରହ୍ମରୂପ,
ନୟନରେ ଦେଖି କ୍ଷୟ ହେଉଅଛି ପାପ,
ନାମ ଜଗତେ ବିଖ୍ୟାତ,
ନିରାପକ୍ଷ କଲେ ସ୍ୱାମୀ ହୋଇଲି ଅନାଥ ।୨୦।
ପ୍ରଭୁପାଦ ପଦ୍ମକୁ ମୁଁ କରିଛି ଆଶରା,
ପଡ଼ୁଅଛି ଅଙ୍ଗେ ମୋର ପାପବୋଝ ଭରା,
ପୂର୍ଣ୍ଣାନନ୍ଦ ଦେଖ ଚାହିଁ,
ପରାପତ ହେଲା ଶିରୀ ଯାଉଅଛି ବହି ।୨୧।
ଫରଫର ହୋଇ ଶୂନ୍ୟେ ଉଡ଼ୁଅଛି ବାନା,
ଫୁଟି ଯାଉଛି ନୟନ ହେଉଅଛି ବଣା,
ଫଣି ମଣି ଜ୍ୟୋତିଧାରି,
ଫିଟାଇ ମାୟା ଜାଲରୁ କର ମୋତେ ପାରି ।୨୨।
ବୀରବର ବିଧୁବାନା ଉଦୟେ ସଂସାରେ,
ବ୍ରହ୍ମାଣ୍ଡ କରତା ଥାଉଁ ପଡ଼ୁଛି ଅନ୍ଧାରେ,
ବଳେ ବକିୟାର ପ୍ରଭୁ,
ବଳାକୃତ ହୋଇଲାଣି ରୀତିମତେ ସବୁ ।୨୩।
ଭାବି ଭାବି ଭରସା ମୁଁ କରିଛି ବହୁତ,
ଭାବେ ଭାରା ଉଶ୍ୱାସିବେ ଅଲେଖ ଅବଧୂତ,
ଭୀମ ଅରକ୍ଷିତ କହେ,
ଭାଷା ପ୍ରବନ୍ଧେ ନାମକୁ କରିଅଛି ଲୟେ ।୨୪।
ମହିମା ସାଗର ସ୍ୱାମୀ ଶ୍ରୀଗୁରୁ ଅଲେଖ,
ମହତ୍ତ୍ୱ ସରିଗଲାଣି ପ୍ରତ୍ୟକ୍ଷରେ ଦେଖ,
ମିଥ୍ୟା ମଣିଲେ ସମସ୍ତେ,
ମାୟାମୋହେ ପଡ଼ି ସର୍ବେ କଲେଣି ଅପ୍ରତେ ।୨୫।
ଜଗତ କରତା ସ୍ୱାମୀ ଅଲେଖ ପୁରୁଷ,
ଯୋଗୀନ୍ଦ୍ର ଜ୍ୟୋତି ସ୍ୱରୂପ ମହିମା ଅଶେଷ,
ଜାଣି ଭଜି ଥାଉ ଥାଉ,
ଯାନ ଜୀବନ ଗଲାଣି ଅଧିକ କି କହୁ । ୨୬।
ରସ ମେଦିନୀରେ ହୋଇଣ ନରରୂପେ ଅବତାର,
ଋଷିଗଣ ଘେନି କରୁଅଛ ଖେଳଘର,
ରୋମ ମୂଳରେ ବ୍ରହ୍ମାଣ୍ଡ,
ରକ୍ଷାକର ପ୍ରଭୁ ମୋତେ ପଡ଼ୁଅଛି ଦଣ୍ଡ ।୨୭।
ଲଘୁପସା ଯେତେ ଜାଣୁଥିବ ହେ ଆପଣ,
ଲେଖି ଲେଖି ଶ୍ରୀ ହଜୁରେ କରୁଛି ଜଣାଣ,
ଲାଗିଅଛି ଦେବକୂଟ,
ଲାଭ ହାନି କି ବିଚାରି ଫେଡ଼ ମୋ ସଙ୍କଟ । ୨୮ ।
ବୁଦ୍ଧ ଅବତାରେ ପ୍ରଭୁ ବ୍ରହ୍ମାଣ୍ଡେ ବିଜୟେ,
ବାନା ଉଡୁଅଛି ତିନିପୁରେ ଜୟେ ଜୟେ,
ବାହୁତଳେ ମୋତେ ରଖ,
ବର୍ଗବନ୍ଧୁ ଅଟ ପରା ଅନାଦି ଅଲେଖ ।୨୯।
ଶ୍ରୀବନ୍ତ ପୁରୁଷ ସ୍ୱାମୀ ଅଟ ସତ୍ୟବାଦୀ,
ଶରଣ ପଶୁଛି ମୁଁ ଯେ ସଦା ଅପରାଧି,
ଶାଖା ନାହିଁ ମୋର କେହି,
ଶ୍ରୀଗୁରୁ ଛାମୁରେ ଭାରା ଅଛି ମୁଁ ପକାଇ ।୩୦।
ସିଂହ ପରାକ୍ରମେ ବାନା ଉଦେ ହୋଇଥାଇ,
ଶୃଗାଳ ପଶି ମୋ ମାଂସ ଯାଉଅଛି ଖାଇ,
ସତ୍ୟକଥା ନୋହେ ମିଛ,
ଶୂନ୍ୟବାସୀ ଅନ୍ତର୍ଯ୍ୟାମୀ କିସ ଦେଖୁଅଛ ।୩୧।
ସାରବ୍ରହ୍ମ ଗୁରୁଦେବ ଅଲେଖ ମହିମା,
ସରି ଯାଉଅଛି ରଖ ଭକ୍ତଙ୍କ ଗରିମା,
ସର୍ବ କଥାରେ କାରଣ,
ସାମର୍ଥ୍ୟ ଶ୍ରୀଗୁରୁଦେବ ସଙ୍କଟ ବାରଣ ।୩୨।
ହିତକାରି ଗତିମୁକ୍ତି ପ୍ରଭୁ ପିତାମାତା,
ହାନିଲାଭ ସର୍ବ କଥା ବୁଝିବ ବାରତା,
ହେଉଅଛି ମୁଁ ବିକଳ,
ହରିହର ବ୍ରହ୍ମା ସାକ୍ଷୀ ଦଶଦିଗ ପାଳ । ୩୩ ।
କ୍ଷତିମଣ୍ଡଳରେ ବିଜେ ମହିମା ସାଗର,
କ୍ଷଣେ ଭଣେ ଭୀମ ଭୋଇ ଅଜ୍ଞାନ ପାମର,
କ୍ଷମାକର ଗୁରୁଦେବ,
କ୍ଷୁଦ୍ର ବଚନେ ମହତ୍ୱ ସରିଲାଣି ସର୍ବ ।୩୪ ।
କଳିଯୁଗ ହେଉଅଛି ଶେଷ,
କିସ ଦେଖୁଛ ଶୁନ୍ୟ ପୁରୁଷ,
କଷଣ ପଡ଼ିଲା ଏତେବେଳେ ଆସି କାହିଁ,
ନାହିଁନା ଆମ୍ଭରି ବାସ ହେ ଶ୍ରୀଗୁରୁ । ୧ ।
ଖରସିନ୍ଧୁ ବେହାରି ଶକତି;
କ୍ଷିତି ମଧ୍ୟ ତୁମ୍ଭ ନାମ ଖ୍ୟାତି,
ଖିତି ମଣ୍ଡଳରେ ଜାତ କରିଅଛ କ୍ଷମାକର,
ଏବେଦଣ୍ଡ ଶାସ୍ତି ହେ ଶ୍ରୀଗୁରୁ । ୨ ।
ଗୁରୁଦେବ ସ୍ୱାମୀ ଅଟ ପରା,
ଗାଢ଼େ ପଡ଼ିଅଛୁ ଆମ୍ଭେ ଧରା,
ଗତି ମୁକ୍ତି ସ୍ୱାମୀ ବୁଝିବ ଯେମନ୍ତେ ଗୁରୁ,
କ୍ଷୟ କର ପାପ ଭରା ହେ ଶ୍ରୀଗୁରୁ । ୩ ।
ଘୋଟି ତିନି ବ୍ରହ୍ମାଣ୍ଡ ଆବୋରି,
ଘଟେ ଘଟେ ସ୍ୱାମୀ ଅଛ ପୂରି,
ଘୋରବନେ ଆମ୍ଭେ ପଡ଼ି ରହିଅଛୁ,
ଘୋର ଅବସ୍ଥା ଦେଖ ଆମ୍ଭରି ହେ ଶ୍ରୀଗୁରୁ । ୪ ।
ଅନ୍ତର୍ଗତେ ଅନ୍ୟାୟ ଆଚରି,
ଆସି ବୁଝାମଣା ନାହିଁ କରି,
ଅସୁଖ ପାଇ ତଡ଼ୁଛନ୍ତି ଆମ୍ଭଙ୍କୁ,
ହାନିଲାଭ କିଛି ନବିଚାରି ହେ ଶ୍ରୀଗୁରୁ । ୫।
ଚିତ୍ତେ ବିଚାରୁଥାଇ ମନକୁ,
ଚଳି ନୋହୁଛି ଆଗ ପଛକୁ,
ଚାପି ଆସୁଅଛି କାଳଦଣ୍ଡ ପ୍ରାଏ,
ଚାହୁଁ ଚାହୁଁ ଶିର ଉପରକୁ ହେ ଶ୍ରୀଗୁରୁ । ୬ ।
ଛତ୍ର ପରାଏ ଯାହାର ବାନା,
ଛିଡ଼ା ମନରୁ ଚିନ୍ତା ବେଦନା,
ଛନ୍ଦ ନଟ କୂଟେ ପଡ଼ି ରହିଅଛୁ,
ଛାମୁ ଆଜ୍ଞା ନ ପଡ଼ୁଛି ଜଣା ହେ ଶ୍ରୀଗୁରୁ । ୭ ।
ଜନଜଗତେ କଲେଣି ନିନ୍ଦା,
ଯୁଗ ଘେନି ସର୍ବେ ନେତ୍ର ଅନ୍ଧା,
ଜାଣୁଅଛ ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ,
ଜଣାଉଛି ସଦା ସରବଦା ହେ ଶ୍ରୀଗୁରୁ । ୮ ।
ଝାଡ଼ ଭିତରେ ପଡ଼ିଛୁ ଆମ୍ଭେ,
ଝଟତିରେ ବୁଝ ପ୍ରଭୁ ତୁମ୍ଭେ,
ଝର ଝର ନେତ୍ର ନୀର ବହୁଅଛି,
ଝଞ୍ଜକାରୁ ତ୍ରାହି କର ବେଗେ ହେ ଶ୍ରୀଗୁରୁ । ୯ ।
ନିତି ପ୍ରତି କରୁଛି ଜଣାଣ,
ନିଷ୍କାମରେ ଲଗାଇ ଭଜନ,
ନିରନ୍ତରେ ଶ୍ରୀଗୁରୁଙ୍କୁ ଧ୍ୟାଇ ଅଛୁ,
ନିଶି ଦିବସରେ ଅନୁଷଣ ହେ ଶ୍ରୀଗୁରୁ । ୧୦ ।
ଟକି ଅଛୁ ଟିଆ ପରିଯନ୍ତେ,
ଟାଣ ପ୍ରଭୁଙ୍କୁ ଚାହିଁ ସମସ୍ତେ,
ଟିକେ ହେଳାକଲେ ନସିଲୁ ଗୋସାଇଁ,
ଟଳି ପଡ଼ୁଅଛୁ ମହୀଗତେ ହେ ଶ୍ରୀଗୁରୁ । ୧୧।
ଠାକୁରଙ୍କ ପାଦପଦ୍ମ ଧ୍ୟାଇ,
ଠାବ ନ ମିଳୁଛି ଶୂନ୍ୟ ଦେହୀ,
ଠଉରି ନୋହୁଛି ତିନି ବ୍ରହ୍ମାଣ୍ଡରେ,
ଠିକେ ଜଣାଉଛି ଭୀମ ଭୋଇ ହେ ଶ୍ରୀଗୁରୁ । ୧୨ ।
ଦଣ୍ଡ ପଡ଼ୁଅଛି ନିରିଘାତ,
ଦାଣ୍ଡବାଟେ ଗଲାଣି ମହତ,
ଡାକୁଅଛି ଆମ୍ଭେ ଦିବସ ରଜନୀ;
ଡାକ ନ ଶୁଣ ଅନାଦି କନ୍ଦ ହେ ଶ୍ରୀଗୁରୁ । ୧୩ ।
ଢମ କହୁ ଅଛନ୍ତି ସମସ୍ତେ,
ଢାଳେ ସମ୍ଭାଳି ରହିବି କେତେ,
ଢାଙ୍କୁଣୀ ଭିତରୁ ଫିଟାଇ ନ ନେଲେ;
ଢୋକିଲାଣି ମରଣ ନିଶ୍ଚିନ୍ତେ ହେ ଶ୍ରୀଗୁରୁ । ୧୪ ।
ଅଣାକାର ଶ୍ରୀ ଗୁରୁ ଅଲେଖ;
ଅନାସ୍ଥାରେ ପଡ଼ିଅଛୁ ଦେଖ;
ଅନ୍ତର୍ଯ୍ୟାମୀ ସ୍ୱାମୀ ବ୍ରହ୍ମାଣ୍ଡ କରତା,
ଏଣେ ତେଣେ ନାହିଁ ଆମ୍ଭ ରକ୍ଷା ହେ ଶ୍ରୀଗୁରୁ । ୧୫ ।
ତିନି ଭୁବନେ ଅଟ କରତା,
ତଦନ୍ତରେ ବୁଝ ଆମ୍ଭ କଥା,
ତ୍ରାହିକର ସ୍ୱାମୀ ଘୋର ସଙ୍କଟରୁ,
ତୁମ୍ଭେ ଅଟ ପରା ପିତା ମାତା ହେ ଶ୍ରୀଗୁରୁ । ୧୬ ।
ଥରି ଗଲାଣି ପିଣ୍ଡ ପରାଣ,
ଥିତି ଦିଆଅ ଆଶା ବିଶ୍ରାମ,
ଥରକୁ ଥର ଦେବକୁଟ ପଡ଼ୁଛି,
ଥାଉଁ ଥାଉଁ ମହାଶୂନ୍ୟ ବ୍ରହ୍ମ ହେ ଶ୍ରୀଗୁରୁ । ୧୭ ।
ଦୁଃଖୀ ଦରିଦ୍ର ପରାଣୀ ଆମ୍ଭେ,
ଦୀନବନ୍ଧୁ ଅଟପରା ତୁମ୍ଭେ,
ଦରିଆରେ ପଡ଼ି ଭାସି ଯାଉଅଛି,
ଦୟାରେ ଉଦ୍ଧରି ଧର ବେଗେ ହେ ଶ୍ରୀଗୁରୁ । ୧୮ ।
ଧର୍ମ ପରୀକ୍ଷା ଦିଅ ତୁରିତ,
ଧରଣୀରେ ରହୁ ସତ୍ୟକୃତ;
ଧ୍ୟାନ କରିଅଛୁ ଦିବସ ରଜନୀ,
ଧର୍ମ ହେଉ ତ୍ରିଭୁବନେ ଖ୍ୟାତ ହେ ଶ୍ରୀଗୁରୁ । ୧୯ ।
ନିଜରୂପେ ବିଜେ କରିଅଛ,
ନାମ ନିଷ୍କାମ ଦୀକ୍ଷା ଦେଇଛ,
ନାଶ ଯାଉଅଛ କଳିଯୁଗେ ଆମ୍ଭେ,
ନାରାୟଣ ସ୍ୱାମୀ ନ ବୁଝୁଛ ହେ ଶ୍ରୀଗୁରୁ।୨୦।
ପୂର୍ଣ୍ଣାନନ୍ଦ ପୂର୍ଣ୍ଣବ୍ରହ୍ମ ରୂପୀ,
ପୂରି ସର୍ବଭୂତେ ଅଛ ବ୍ୟାପି,
ପରମ ପୁରୁଷ ବାଞ୍ଛା ପୂର୍ଣ୍ଣକରି;
ପୃଥ୍ୱୀ ମଧ୍ୟେ ସତ୍ୟ ଧର୍ମ ସ୍ଥାପି ହେ ଶ୍ରୀଗୁରୁ । ୨୧ ।
ଫୁକାବନ୍ଧ ଫଣି ମଣି ହୋଇ,
ଫିଙ୍ଗି ଦେଉଅଛ କାହିଁ ପାଇଁ,
ଫେଡ଼ି ଦିଅ ଦୁଃଖ ପିଣ୍ଡ ବ୍ରହ୍ମାଣ୍ଡରୁ,
ଫେଡ଼ ସଂଶୟ ସୁଦୟା ବହି ହେ ଶ୍ରୀଗୁରୁ । ୨୨ ।
ବାଧିଗଲାଣି ପିଣ୍ଡେ ପ୍ରାଣକୁ,
ବିସୁଖ ମଣିଲେଣି ଧର୍ମକୁ,
ବାତୁଳ ପରାଏ ନିନ୍ଦା କରୁ ଅଛନ୍ତି ବହି,
ହୃଦେ ଗର୍ବ ଗାରିମାକୁ ହେ ଶ୍ରୀଗୁରୁ । ୨୩ ।
ଭବସାଗରେ ଯାଉଛି ଭାସି,
ଭାରାଉଶ୍ୱାସ ହେ ଶୂନ୍ୟବାସୀ,
ଭଣେ ଭୀମ ହୀନ ପାମର ଅଜ୍ଞାନ;
ଭାଳି ମରୁଅଛି ଦିବାନିଶୀ ହେ ଶ୍ରୀଗୁରୁ । ୨୪ ।
ମହିମା ରଖ ମହୀ ମଣ୍ଡଳେ;
ମହାଯୁଗ ଘୋର କଳି କାଳେ;
ମହତ ପୁରୁଷ ବାଞ୍ଛା ପୂର୍ଣକର;
ମହୀରକ୍ଷା କର ଏତେ ବେଳେ ହେ ଶ୍ରୀଗୁରୁ । ୨୫ ।
ଜଗତରେ ନାହିଁ ଆମ୍ଭ ବାସ;
ଯାଣୁଅଛ ତ ଶୂନ୍ୟ ପୁରୁଷ,
ଜଗତରୁ ସ୍ୱାମୀ ଉଦ୍ଧାର ନ କଲେ,
ଜୀବନକୁ ନାହିଁ ମୋର ଆଶ ହେ ଶ୍ରୀଗୁରୁ । ୨୬ ।
ରଖ ମେଦିନୀ ପାଦ ପକାଇ,
ରହି ନୋହୁଛି ଦମ୍ଭେ ଗୋସାଇଁ,
ରକ୍ଷାକର ସ୍ୱାମୀ ଘୋର ସଙ୍କଟରୁ,
ରାଜା ବ୍ରାହ୍ମଣେ ପରୀକ୍ଷା ଦେଇ ହେ ଶ୍ରୀଗୁରୁ । ୨୭ ।
ଲଗ୍ନ କେତେ ଦିବସରେ ହେବ ଲାବଣ୍ୟ ମୂରତି ପ୍ରକାଶିବ,
ଲଘୁ ଦେଉଛନ୍ତି କଳିଯୁଗ ନରେ;
ଲାଗିଛନ୍ତି ମନେ ବହି ଗର୍ବ ହେ ଶ୍ରୀଗୁରୁ । ୨୮ ।
ବାସ ମନ୍ଦିରେ ପରୀକ୍ଷା ଉଠୁ,
ବିଷ ପରାଏ ମହିମା ଘୋଟୁ ।
ବିଶ୍ୱ ବ୍ୟାପକ ପୁରୁଷ ତୁମ୍ଭେ ବୁଝ ବେଗେ,
ଘୋର କଳିକାଳ ତୁଟୁ ହେ ଶ୍ରୀଗୁରୁ । ୨୯ ।
ଶରଦ ଋତୁ ହୋଇଲା ଆସି,
ସୋହତିରେ ଯାଉଅଛୁ ଭାଷି ।
ସର୍ବ ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡ କରତା,
ସାରକରି ବୁଝ ବ୍ରହ୍ମରାଶି ହେ ଶ୍ରୀଗୁରୁ । ୩୦ ।
ସଦଗୁରୁ ଅଟପରା ତୁମ୍ଭେ ।
ସୋହତିରେ ଭାଷୁଅଛି ଆମ୍ଭେ ।
ଶୂନ୍ୟ ପୁରୁଷ କରୁଣା କରି ବେଗେ;
ସତ୍ୟ ପରକାଶ କର ଏବେ ହେ ଶ୍ରୀଗୁରୁ । ୩୧ ।
ଶୟନେ ଭୋଜନେ ସୁସ୍ତ ନାହିଁ,
ସ୍ୱାମୀ ଦେଖ ନୟନ ପୁରାଇ ।
ସମ୍ଭାଳି ନୋହୁଛି ଅକାଳ ବିପତ୍ତି,
ଶୂନ୍ୟପୁରୁଷଙ୍କୁ ଅଛୁ ଧ୍ୟାଇ ହେ ଶ୍ରୀଗୁରୁ । ୩୨ ।
ହରେକ କଥା କାରେଣୀ ସ୍ୱାମୀ ।
ହେଉଅଛି ଯାହା ଅନ୍ତର୍ଯ୍ୟାମୀ ।
ହତ ହେଉଅଛି ପିଣ୍ଡ ପ୍ରାଣ ମୋର,
ହେଉଅଛି ଏବେ ପରିଣାମି ହେ ଶ୍ରୀଗୁରୁ । ୩୩ ।
କ୍ଷମାସାଗର ଶୂନ୍ୟ ପୁରୁଷ ।
କ୍ଷଣକରେ ଏ ଭାରା ଉଶ୍ୱାସ ।
ଖତମକରି କରି ଦେବାକୁ ବସିଛନ୍ତି,
କ୍ଷମେ ଭଣେ ଭୀମ ଭକ୍ତ ବାସ ହେ ଶ୍ରୀଗୁରୁ । ୩୪ ।
କ୍ଷିତି ମଣ୍ଡଳରେ ଦେହ ବହି,
କ୍ଷୀର ସିନ୍ଧୁ ବାସୀଙ୍କି ମୁଁ ଧ୍ୟାଇ,
କ୍ଷୟ ଯାଉଅଛୁ ଘୋର କଳିଯୁଗେ
କ୍ଷମା ସାଗର ପୁରୁଷ ଥାଇ ହେ ଶ୍ରୀଗୁରୁ । ୧ ।
ହିତକାରୀ ପ୍ରଭୁ ଅଟପରା,
ହରଣ କର ବିପତ୍ତି ଭାରା,
ହତ ହେଉଅଛି ପିଣ୍ଡ ପ୍ରାଣ ମୋର,
ହାକିମ ଛାମୁରେ ପଡ଼ି ଧରା ହେ ଶ୍ରୀଗୁରୁ । ୨ ।
ଶଙ୍କା ନାହିଁ ନା ମୋହରି ଦେହେ,
ଶଙ୍କି ଟଳି ପଡ଼ୁଅଛି କାୟେ,
ସମ୍ଭାଳି ନୋହୁଛି ଅକାଳ ବିପତ୍ତି,
ସ୍ୱାମୀ ନିବାର ହୃଦରୁ ଭୟେ ହେ ଶ୍ରୀଗୁରୁ । ୩ ।
ଶବ୍ଦ ତିନିପୁର ତ୍ରଇଲୋକ,
ଶୁଭୁ ନାହିଁକି କର୍ଣ୍ଣକୁ ଡାକ,
ଶୁଖିଲା ନାବରେ ପାଣି ପଶୁଅଛି,
ଶୂନ୍ୟ ପୁରୁଷ କର ବିବେକ ହେ ଶ୍ରୀଗୁରୁ । ୪ ।
ଶିରୋମଣି ଠାକୁରଙ୍କୁ ଭଜି,
ସର୍ବକର୍ମ ଦୁରାନ୍ତରେ ତେଜି,
ଶରଣ ଶରଣ ବୋଲୁ ବୋଲୁ ମୁଖେ,
ଶିରୀଚ୍ୟୁତ ହେଉଛି କି ଲାଗି ହେ ଶ୍ରୀଗୁରୁ । ୫ ।
ବାହାର ହୋଇ ହୁଅ ପ୍ରକାଶ
ବ୍ରହ୍ମତେଜ ପଡ଼ୁ ଦଶଦିଶ,
ବୁଝାମଣା କରି ଗୁରୁଦେବ ସ୍ୱାମୀ,
ବ୍ରହ୍ମାଣ୍ଡରେ ଦିଅ ସ୍ଥିତି ବାସ ହେ ଶ୍ରୀଗୁରୁ । ୬ ।
ଲୋକ ନିନ୍ଦାରେ ନୋହୁଛି ରହି,
ଲୁଚି ଦିନ ଯାଉଅଛି ବହି,
ଲଜ୍ଜ୍ୟା ହେଉଅଛି ଜଗତରେ ମୋତେ,
ଲାଜେ ନୋହୁଛି ମୁଖ ଦେଖାଇ ହେ ଶ୍ରୀଗୁରୁ । ୭ ।
ରାଜା ବିପ୍ରେ ହୋଇଲେଣି ମେଳି,
ରହ ପରୀକ୍ଷା ଦେଖିବା ବୋଲି,
ରୋଷ କରୁଛନ୍ତି ଅନ୍ତର୍ଗତେ ମୋତେ,
ରଇରଗଦେ ମରୁଛି ଭାଳି ହେ ଶ୍ରୀଗୁରୁ । ୮ ।
ଯତନରେ ପାରୁଶକୁ ଡ଼ାକି,
ଯାବତ କଥା ତୁଣ୍ଡରେ ଭାକି,
ଜଗିଥିବୁ ଆମ୍ଭେ ନ ଯାଉ ବୋଲନ୍ତେ,
ଯାଅ ଯାଅ ବୋଲି ଦେଲେ ଫିଙ୍ଗି ହେ ଶ୍ରୀଗୁରୁ । ୯ ।
ମିଛେ ପରୀକ୍ଷା ନେବୁ ବୋଇଲେ,
ମନେ ବଡ଼ିମା ବହି ଅଇଲେ,
ମନ୍ଦ ଜାତି କନ୍ଧ ଅଟେ ଭୀମ ଭୋଇ,
ମହା ଅଜ୍ଞାନୀ ବୋଲି କହିଲେ ହେ ଶ୍ରୀଗୁରୁ । ୧୦ ।
ଭାରା ହୋଇଲାଣି ବେଳୁଁ ବେଳ,
ଭାସି ଡାକୁଛି ହୋଇ ବିକଳ,
ଭରସା କରିଛି ଗୁରୁପାଦ ତଳେ,
ଭୟନିବାର ଅନାଦିମୂଳ ହେ ଶ୍ରୀଗୁରୁ । ୧୧ ।
ବହି ଗଲାଣି କେତେ ଦିବସ,
ବ୍ରହ୍ମ ଏତେବେଳେ ହୁଅ ଦୃଶ୍ୟ,
ବାଧି ଯାଉଅଛି ଜୀବନକୁ ମୋର,
ବାନା ଉଦେକର ଦଶଦିଶ ହେ ଶ୍ରୀଗୁରୁ । ୧୨ ।
ଫେଡ଼ ଅକାଳ ବିପତ୍ତି ଦଶା,
ଫୁକାବନ୍ଧ ଫଣି ମଣି ଭରସା,
ଫିସାଦ ବଚନ କହୁଛନ୍ତି ସର୍ବେ,
ଫାନ୍ଦେପଡ଼ି କରିଅଛି ଆଶା ହେ ଶ୍ରୀଗୁରୁ । ୧୩ ।
ପିତାମାତା ଅଟ ଶୂନ୍ୟଦେହୀ,
ପାପଜାଲେ ପଡ଼ିଅଛି ମୁହିଁ,
ପରୀକ୍ଷା ନ ଦେଲେ ରାଜା ବ୍ରାହ୍ମଣକୁ,
ପିଣ୍ଡ ପ୍ରାଣରେ ମୋ ଆଶା ନାହିଁ ହେ ଶ୍ରୀଗୁରୁ । ୧୪ ।
ନବଖଣ୍ଡ ମେଦିନୀରେ ଯେତେ,
ନୟନରେ ଦେଖନ୍ତୁ ସାକ୍ଷାତେ,
ନିଶିଦିବସରେ ପରୀକ୍ଷା ପରୀକ୍ଷା,
ନରେ ମାଗୁଅଛନ୍ତି ସମସ୍ତେ ହେ ଶ୍ରୀଗୁରୁ । ୧୫ ।
ଧର୍ମ ଚାରିଯୁଗ ଯେବେ ସତ୍ୟ,
ଧରଣୀରେ ରହୁ ସତ୍ୟକୃତ,
ଧରତୀ ଆକାଶେ ପୂରି ରହିଅଛି,
ଧର୍ମ ଅଣାକାର ଅବଧୂତ ହେ ଶ୍ରୀଗୁରୁ ।୧୬ ।
ଦୁଃଖ ଜଣାଶ କରିବି କେତେ,
ଦଇବ ଅଟ ତୁମ୍ଭେ ସାକ୍ଷାତେ
ଦୟାବନ୍ତ ପ୍ରଭୁ ନ ବୁଝିବ ଯେବେ,
ଦରିଆରେ ଭାସିଲି ନିରତେ ହେ ଶ୍ରୀଗୁରୁ । ୧୭ ।
ଥାନ ଭ୍ରଷ୍ଟକରି ଖେଦୁଛନ୍ତି,
ଥିତି ବସା ନ ଦେଉ ଅଛନ୍ତି,
ଥରହର ହେଉଅଛି ପିଣ୍ଡେ ପ୍ରାଣ,
ଥୟେ ନ ରହୁଛି ମତି ହେ ଶ୍ରୀଗୁରୁ । ୧୮ ।
ତିନିତ୍ରୈଲୋକ୍ୟ କର୍ତ୍ତା ଆପଣ,
ତ୍ରାହି ବୋଲି ମାଗୁଛି ଶରଣ,
ତତ୍ତ୍ୱଚିତ୍ତେ ସ୍ୱାମୀ ଦୟାକର ମୋତେ,
ତୁମ୍ଭେ ଅଟ ଆଲେଖ ଅବର୍ଣ୍ଣ ହେ ଶ୍ରୀଗୁରୁ । ୧୯ ।
ଅଣାକାର ଅଲେଖ ଅରୂପୀ,
ଅନନ୍ତ ସ୍ୱରୂପେ ଅଛ ବ୍ୟାପୀ,
ଅନ୍ତର୍ଯ୍ୟାମୀ ସ୍ୱାମୀ ଅଣହେଳା କଲେ,
ଅନ୍ୟ କେହୁ ପାରିବେ କେହି ରଖି ହେ ଶ୍ରୀଗୁରୁ।୨୦।
ଢେଙ୍କାନାଳେ ବିଜେ କରିଥିଲ,
ଢାଳେ ବାନା ପରକାଶ କଲ,
ଢେଉପଡ଼ିଲା ବେଳକୁ ଗୁରୁସ୍ୱାମୀ,
ଢଙ୍କୁଣୀରେ କି ଗୋପ୍ୟାନ ହେଲ ହେ ଶ୍ରୀଗୁରୁ । ୨୧ ।
ଡ଼କାଇତ ହସ୍ତେ ପଗଡ଼ାଇ,
ଡ଼ାକ ନ ଶୁଣୁଛ କାହିଁ ପାଇଁ,
ଦାଣ୍ଡେ ପଡ଼ିଅଛି ଭୀମ ଅରକ୍ଷିତ,
ଡ଼ୋଳେ ଆକାଶକୁ ଚାହିଁ ହେ ଶ୍ରୀଗୁରୁ । ୨୨।
ଠିଆ ହୋଇ ଜଣାଣ କରୁଛି,
ଠାକୁରଙ୍କ ଆଜ୍ଞାକୁ ଟାକିଛି,
ଠାବ ମିଳୁଅଛି କେତେ ଦିବସରେ,
ଠିକେ ଯୁଗ ଶେଷ ହେଲା ଆସି ହେ ଶ୍ରୀଗୁରୁ । ୨୩ ।
ଟେଢ଼ା ବଚନ କହୁଅଛନ୍ତି,
ଟମାଳିଆ ପ୍ରାୟେ ବୁଝୁଛନ୍ତି,
ଟଳ ଟଳ ହେଉ ଅଛି ମନ,
ଟିକେ ନ ମିଳୁଛି ଥୟ ସ୍ଥିତି ହେ ଶ୍ରୀଗୁରୁ । ୨୪ ।
ନିନ୍ଦା କର୍ଣ୍ଣରେ ନୋହୁଛି ଶୁଣି,
ନିରନ୍ତରେ ଅପଖ୍ୟାତି ଧ୍ୱନି,
ନାରୀ ପୁରୁଷ ଏକାନ୍ତ ମତ ହୋଇ ନରେ,
ହୃଦରେ ଅହନ୍ତା ଘେନି ହେ ଶ୍ରୀଗୁରୁ । ୨୫ ।
ଝଟତିରେ ବୁଝାମଣା ହେଉ,
ଝିମିଟକେ କଳି କ୍ଷୟ ପାଉ,
ଝାଉଁଲତା ବନୁ ପାରିକର ମୋତେ,
ଝୁଙ୍କି ପଡ଼ୁଅଛି ମହାବାହୁ ହେ ଶ୍ରୀଗୁରୁ । ୨୬ ।
ଯାଅ ବୋଲନ୍ତେ ଫେରି ନ ଯାଇ,
ଜଗି ବସିଥିବି ପଥେ ମୁହଁ,
ଜଗତ କରତା ବୁଝିବା ପର୍ଯ୍ୟନ୍ତେ,
ଦେହଜୀବନ ମୋ ଆଶା ନାହିଁ ହେ ଶ୍ରୀଗୁରୁ । ୨୬ ।
ଛାତରୂପୀ ଅଛି କଳିକାଳେ,
ଛଡ଼ ବ୍ରହ୍ମବାସୀ ଧର୍ମ ବଳେ,
ଛନ ଛନ ହେଉଅଛି ପିଣ୍ଡେ ପ୍ରାଣ,
ଛନ୍ଦେ ପଡ଼ି ଡାକୁଛି ବିକଳେ ହେ ଶ୍ରୀଗୁରୁ । ୨୮ ।
ଚିହ୍ନଟ ଦିଅ ଏ କଳିକାଳେ,
ଚନ୍ଦ୍ର ପରାୟେ ମହୀମଣ୍ଡଳେ,
ଚିଦାନନ୍ଦ ସ୍ୱାମୀ ବିଳମ୍ବ ନ କରି,
ଚାହିଁ ଦୟାକର ଏତେବେଳେ ହେ ଶ୍ରୀଗୁରୁ । ୨୯ ।
ଅନନ୍ତମୂରତି ଅଣାକାର ଅନ୍ତର୍ଗତରେ ବିଚାର କର,
ଅନ୍ୟଥା ନ କର ଭୃତ୍ୟର ବଚନ,
ଅନ୍ତର୍ଯ୍ୟାମୀନି ପରା ଠାକୁର ହେ ଶ୍ରୀଗୁରୁ । ୩୦ ।
ଘର ବାହାରେ ନୋହୁଛି ବାସ,
ଘାରିହୋଇ ରଜନୀ ଦିବସ;
ଘଡ଼ିକି ଘଡ଼ି ଚେତା ବୁଡ଼ି ଯାଉଛି;
ଘୋର କଳିକାଳେ ହୁଅ ଦୃଶ୍ୟ ହେ ଶ୍ରୀଗୁରୁ । ୩୧ ।
ଗୁରୁସ୍ୱାମୀ ପରା ବୋଲାଇଛ,
ଗୁପତରେ କାହିଁକି ଲୁଚିଛ,
ଗରବ ଗଞ୍ଜନ ବାନା ଥାଉଁ ଥାଉଁ,
ଗୁଡ଼େଦିନ କିମ୍ପାଇ କରୁଛ ହେ ଶ୍ରୀଗୁରୁ । ୩୨।
କ୍ଷୀତି ମଣ୍ଡଳେ ମହିମା ରଖ;
ଖ୍ୟାତହେଉ ତିନି ତ୍ରଇଲୋକ;
କ୍ଷୀରସିନ୍ଧୁ ବାସୀ ଅନାଦି ଅଲେଖ,
କ୍ଷୟ ଯାଉଛି ତ୍ରିପୁର ଦେଖ ହେ ଶ୍ରୀଗୁରୁ । ୩୩ ।
କେତେ ଜଣାଣ କରିବି ମୁହଁ,
କରତାଙ୍କ ପଦ୍ମପାଦ ଧ୍ୟାଇ,
କରଯୋଡ଼ି ଭଣେ ଭୀମ ଅରକ୍ଷିତ,
କର୍ତ୍ତାଛାମୁରେ ବିନୟ ହୋଇ ହେ ଶ୍ରୀଗୁରୁ । ୩୪ ।
କଷଣ ଦେଖ କଳେବର ମାଗୁଅଛ କିପାଇଁ,
କାମିନୀକାନ୍ତ ପାରୁଶରୁ ଭିନ୍ନାଭିନ୍ନ କରାଇ । ୧ ।
କ୍ଷୁର୍ଣ୍ଣ ହୋଇଲାଣି ଶରୀର ଖଣ୍ଡ ଖଣ୍ଡ ଜୀବନ,
ଖେଳ ହେବାଯାଏ ସମ୍ଭାଳି ନୁହେ ପିଣ୍ଡେ ପରାଣ । ୨ ।
ଗଞ୍ଜଣାରେ ଗର୍ଭ ପୋଡ଼ୁଛି ଚିନ୍ତା ହେଲାଣି ଗୁରୁ,
ଗିରିବର ବାନା ଉଦୟେ ବିଜେ ମହିମାମେରୁ । ୩ ।
ଘୋଟି ଆସିଲାଣି ସନ୍ତାପ ଘନ ଘନ ଜୀବନ;
ଘଡ଼ିକିଘଡ଼ି ମୁଁ ଡାକୁଛି ପ୍ରଭୁ କିମ୍ପା ନ ଶୁଣ । ୪ ।
ଅଟି ଯାଉଅଛି ଅବସ୍ଥା ଦୁଃଖ କହିବି କେତେ,
ଅନ୍ତର୍ଯ୍ୟାମୀ ନାଥ ବୁଝିବେ ଭଲ ଅସାର ଯେତେ । ୫ ।
ଚାଲି ନ ପାରୁଛି ଚରଣେ ଚେତା ଯାଉଛି ବୁଡ଼ି,
ଚିନ୍ତାକରି ହୃଦପଦ୍ମରେ ଦେହ ଗଲାଣି ସଢ଼ି । ୬ ।
ଛାତି ଦକ ଦକ ହେଉଛି ଚିତ୍ତ ଛାନିଆ ହୋଇ,
ଛଡ଼ବେଦ ପୁର କରତା ଥାଉଁ ସୁଦୟା ନାହିଁ । ୭ ।
ଯୁବା ଯୁବତୀଙ୍କ ବିକଳ ଜାଣୁଅଛ ତ ସବୁ,
ଜଗତକରତା ସ୍ୱଦେହେ ବିଜେ କରିଛ ପ୍ରଭୁ । ୮ ।
ଝୁରିଯାଉଅଛି ଜୀବନ ଝିମା ମାରୁଛି ଦେହ,
ଝଞ୍ଜକା ଭିତରୁ ଝିମଟେ ସ୍ୱାମୀ ସମ୍ଭାଳି ନିଅ । ୯ ।
ନାମକୁ ନିଶି ଦିବସରେ ଲୟ କରିଛୁ ଆମ୍ଭେ,
ନାରୀ ପୁରୁଷଙ୍କୁ ନିସ୍ତାରି ପାର କରୁଛ କେବେ । ୧୦ ।
ଟଳ ଟଳ ହୋଇ ଟିଆକୁ ଟାକି ନ ପାରେ ଜୀବ,
ଟିକେ ମାତ୍ର ଶୂନ୍ୟବାନାରେ ସ୍ୱାମୀ ଘୋଡ଼ାଇଥିବ । ୧୧ ।
ଠାକୁରଙ୍କ ପାଦେ ଶରଣ ଠିଆ ହୋଇ ଜଣାଇ,
ଠିକେ କହେ ଭୀମ ଅର୍କ୍ଷିତ ଠାବ ଖଣ୍ଡିକ ପାଇଁ । ୧୨।
ଡାକୁଅଛୁ ଆମ୍ଭେ ଆତଙ୍କେ ଡରୁଅଛି ଜୀବନ,
ଦାଣ୍ଡବାଟେ ହଟା ହେଲାଣି ଗୁଣି ନ ସରେ ଦିନ । ୧୩ ।
ଢାଳି ରଖ ଶୂନ୍ୟବାନାରେ ରଖ ଢାଙ୍କୁଣୀ ଦେଇ,
ଢଳି ଯାଉଅଛି ସମ୍ଭାଳ କଞ୍ଚି ତାଲା ପକାଇ । ୧୪ ।
ଅନୁକ୍ଷଣେ ଦଣ୍ଡ ଦେଉଛ ଦୁଃଖ ଚିନ୍ତା ଅବସ୍ଥା,
ଅନାଦି ପୁରୁଷ ସ୍ୱଦେହେ ବିଜେ ବ୍ରହ୍ମ କରତା । ୧୫ ।
ତାରଣ କିରୂପେ କରୁଛ ତିନି ତ୍ରୈଲୋକ୍ୟ ପତି,
ତ୍ରିଗୁଣ ମାୟାରୁ ଉଧରି ଦିଅ ଗତି ମୂକତି । ୧୬ ।
ଥରୁଅଛି ପିଣ୍ଡେ ପରାଣ ଥୟ ନ ରହେ ମନ,
ଥୟ ନାହିଁ ଦିବାନିଶିରେ ମେଘେ ଯେସନେ ଘନ । ୧୭ ।
ଦରଶନ କେତେ ଦିବସେ ଦିନ ଯାଉଛି ବହି,
ଦୁଃଖ ଭାରା ପ୍ରଭୁ ହୃଦରେ ମୁଁ ଯେ ନ ପାରେ ସହି । ୧୮ ।
ଧଉର୍ଯ୍ୟପଣେ ଧ୍ୟାନ କରି ଧରି ନ ପାରେ ଜୀବ,
ଧରଣୀ ମଧ୍ୟେ ପିଣ୍ଡ ପ୍ରାଣ କେତେ ଦିନ ବଞ୍ଚିବ । ୧୯ ।
ନନ୍ଦ ଅବଧୂତ ନାମକୁ ଭଜି ହୋଇଲୁଁ ବୃଥା,
ନିନ୍ଦା ନିରନ୍ତରେ ଜଗତେ ବିଜେ ବ୍ରହ୍ମ କରତା।୨୦।
ପୃଥ୍ୱୀ ମଧ୍ୟେ ପାପା ଭାରାକୁ ନ ଛେଦୁଛ କିମ୍ପାଇ,
ପରମ ପୁରୁଷ ଅଟ ହେ ଗୁରୁଦେବ ଗୋସାଇଁ ।୨୧।
ଫୁଟି ଯାଉଅଛି ନୟନ ଫେଡ଼ ଅଖିଳ ଦଶା,
ଫନ୍ଦା ଲୋଡ଼ି ଫଳ, ଫଳ ବିଶ୍ୱାସେ କରିଅଛି ଭରସା । ୨୨ ।
ବାରାନିଧି ସିନ୍ଧୁ ପରାଏ ଘୋଟି ଆସୁଛି ମାୟା,
ବଚନ ସତ୍ୟବ୍ରହ୍ମ ବାକ୍ୟ ସ୍ୱାମୀ କର ସୁଦୟା । ୨୩ ।
ଭୀମ ଅରକ୍ଷିତ ଭାଳେଣି ଚିତ୍ତେ କରୁଛି ଭୟ,
ଭାସି ଯାଉଅଛୁ ସିନ୍ଧୁରେ ଶୂନ୍ୟବାନା ଘୋଡ଼ାଅ । ୨୪ ।
ମହିମା ପ୍ରକାଶ ମଣ୍ଡଳେ ବିଜେ ଭକ୍ତଙ୍କ ହିତେ,
ମନଜାଣି ପ୍ରଭୁ ପ୍ରସନ୍ନ ଉଦେ ହେଲ ଜଗତେ । ୨୫ ।
ଜୀବ ଥାଉଁ ଥାଉଁ ପିଣ୍ଡରେ ଜଳେ ବୁଡ଼ାଉଅଛ,
ଜାଣି ସର୍ବକଥା କରୁଛ ବାକ୍ୟ ନୁହଇ ମିଛ । ୨୬ ।
ରାଗ ଅହଂକାର ହୃଦରେ ସହି ନ ପାରେ ଦଣ୍ଡେ,
ରାବଣ ପରାୟ ହେଲେଣି ପୃଥ୍ୱୀ ଭାରତ ଖଣ୍ଡେ । ୨୭ ।
ଲୋଭ ମୋହେ ବିତ୍ତ ବୁଡ଼ାଇ ଲଙ୍ଘି ଲେଣି ଧର୍ମକୁ,
ଲାଭ ବଣିଜରେ ମାତିଲେ ଛାଡ଼ି ନିଜ ଧର୍ମକୁ।୨୮ ।
ବାଇ ପ୍ରାୟ ହୋଇ ଭ୍ରମନ୍ତି ବିଧିମତ ନ ଜାଣି,
ବିଷ ପ୍ରାୟ ଫଙ୍ଗି ଦେଲେଣି ବେଦ ସିଦ୍ଧାନ୍ତ ବାଣୀ । ୨୯ ।
ସାରସ୍ୱତ ସୁରଗଣଙ୍କୁ ସିନା ହୁଅଇ ଲାଭ,
ସୁରାଭାଣ୍ଡ ମଦଲାଳସେ ଅସୁରଙ୍କୁ ଏ ଯୋଗ୍ୟ । ୩୦ ।
ସାଧି ମାରୁଅଛ କରତା ସାନ ବଡ଼ଙ୍କୁ ଏକେ,
ସୋହତି ନଦୀରେ ଭସାଇ ଶୁଷ୍କକାଷ୍ଠ ସ୍ୱରୂପେ । ୩୧ ।
ସମ୍ଭାଳ ତୁମ୍ଭର ଭକତ କୁଳ ଦାସ ଦାସୀଙ୍କି,
ସମାନରେ ଚାହିଁ ସୁଦୟା କୃପା ନେତ୍ରରେ ଦେଖି । ୩୩ ।
ହତ ହୋଇଗଲେ ହୋଇବ ନିନ୍ଦା ଜଗତ ମୁଖେ,
ହାନି ଲାଭ କଥା ବୁଝିବ ଉଦେ ହୋଇଛ ଆପେ । ୩୪ ।
ଖେଳର ନିମନ୍ତେ କ୍ଷିତିକି ସ୍ୱୟଂ ପ୍ରକାଶ,
କ୍ଷମାକର ଦୋଷ ଭଣିଲେ ଭୀମ ଭକତ ଦାସ । ୩୫।
କରାଇ କାମନା କର୍ମ ବିଚିତ୍ର ।
କରଚାଳିଦେଇ ଯନ୍ତ୍ରରେ ସୂତ୍ର ।
କାନ୍ଦି କାକୁସ୍ତରେ ବଞ୍ଚିବି କାହିଁ ।
କରଯୋଡ଼ି ଶ୍ରୀଛାମୁରେ ଜଣାଇ ସେ,
କରିଅଛି ଅପରାଧ ଯେ;
କରତା ଜ୍ଞାନ ଖଡ଼ଗରେ ଛେଦିବେ କାଳ କୁଟ ପରମାଦ ଯେ । ୧ ।
ଖଳ ବୁଦ୍ଧି ମୋର ସ୍ୱଭାବେ ମନ୍ଦ ।
ଖଣ୍ଟ ଦୁରୁଜନ ପରାୟ ଛନ୍ଦ ।
ଖିଳ ବୁଦ୍ଧି ମୋର ହୃଦରେ ପଶି ।
ଖଣ୍ଡୁଅଛି ଆତ୍ମାଜ୍ଞାନକୁ ନାଶି ସେ ।
କ୍ଷମାସାଗର ଗୋସାଇଁ ଯେ ।
ଖାଲେ ପଡ଼ିଛି ଖଣ୍ଡିକି ଝିଙ୍କି ନେବ ଅନ୍ତର୍ଯ୍ୟାମୀ ଦୟାବହି ଯେ । ୨ ।
ଗରବିତା ପଣେ ଗାରିମା ବହି ।
ଗତ ଆଗତକୁ ବିଚାର ନାହିଁ ।
ଗରବ ଗଞ୍ଜନ ବାନା ତୁମ୍ଭର ଜ୍ଞାନ ଗତି ମୁକ୍ତି ରଖି ଭଣ୍ଡାର ସେ,
ଗଡ଼ି ଯାଉଅଛି ମୁହିଁ ଯେ ।
ଗୁରୁଦେବ ସ୍ୱାମୀ ଉଦ୍ଧାର କରିବେ ଜ୍ଞାନ ଚିତ୍ତେ ଦୟା ବହି ଯେ । ୩ ।
ଘନ ପ୍ରାୟ ମନ ଚଞ୍ଚଳ ଚିତ୍ତ ।
ଘାଣ୍ଟି ହୋଇ ମୋହ ମାୟାରେ ରତା ଘୋର ଅନ୍ଧାର ରଜନୀ ପାହାନ୍ତି ।
ଘାଣ୍ଟୁଅଛି କାମ କଲା ପ୍ରକୃତି ସେ;
ଘାଟରେ ବସିଛି ନିତି ସେ,
ଘାଟ ଭବସିନ୍ଧୁ ଉଦ୍ଧାର କରିବେ ଘଟଯୁଗ ପ୍ରାଣପତି ଯେ । ୪ ।
ଅନୁକ୍ଷଣେ ଆଶା ବଢ଼ାଇ ହିତ।
ଆନନ୍ଦ ମନେ ଗଦଗଦ ଚିତ୍ତ ।
ଅନନ୍ତପୁରୁଷ କରୁଣା ସାଇଁ ।
ଅଙ୍ଗୀକାର କରି ନେବ ବଞ୍ଚାଇ ସେ,
ଅନାଥା ନ କର ହରି ଯେ ।
ଆଶ୍ରିତ କରିଛି ପଦ୍ମ ପାଦତଳେ ନଦେବ ମୋତେ ପାଶୋରି ଯେ । ୫ ।
ଚର୍ମ ଦେହ ରୁଧିର ଯେ ମାଂସ ।
ଚକ୍ରପ୍ରାୟେ ଭ୍ରମୁଅଛି ଆକାଶ ।
ଗୁରୁ ଚରଣରେ ନଦେଇ ଚିତ୍ତ ।
ଚର୍ମକୁ ଅଛି ଆତ୍ମା ପଞ୍ଚଭୂତ ସେ,
ଚାହିଁଥିବ ନିରନ୍ତରେ ଯେ ।
ଚାଲିଆସି ମୋତେ ରକ୍ଷା କରି ନେବ,
ଅଭୟ ବାନା ପଞ୍ଜରେ ଯେ । ୬ ।
ଛନ୍ଦିଛି ସଂସାର ମାୟା କଳାପ ।
ଛଡ଼ରସେ ଭୁଞ୍ଜି ଅମୃତ ପାକ,
ଛାତିଡ଼େରି ବିଜେ କରିଛ ମଞ୍ଚେ ।
ଛାମୁ ଆଜ୍ଞା ଡାକ ପଡ଼ୁଛି ଉଚ୍ଚେ ସେ,
ଛଡ଼ବେଦ ପରେ ବାସ ଯେ;
ଛତ୍ର ଟେକି ମୋତେ ଛାଇଖଣ୍ଡେ ଦେବ କ୍ଷମାକରି ସର୍ବ ଦୋଷ ଯେ । ୭ ।
ଜଡ଼ାଇଛ ଯୁକ୍ତେ ଜନନୀ ଜଠେ,
ଜାଣି ପକାଇଛ ଜଗତ୍ର ନଟେ ।
ଜଣାନାହିଁ ମୋତେ ଜଗତ ରୀତି ।
ଯୁଗ କଳିକାଳ ବଡ଼ ଉତ୍ପତ୍ତି ସେ,
ଜନ୍ମାନ୍ତରୁ ମହାପାପୀ ଯେ ।
ଜଞ୍ଜାଳ ଜାଲରେ ପାରି କରି ନେବ,
ଠୁଳଶୂନ୍ୟ ବ୍ରହ୍ମରୂପୀ ଯେ । ୮ ।
ଝଞ୍ଜକା ଝଗଡ଼େ ପଡ଼ିଛି ମୁହିଁ ।
ଝାଡ଼ ଭିତରେ ପଥ ବଣା ହୋଇ ।
ଝଟକ ବିଜୁଳି କୁହୁଡ଼ି ମାୟା ।
ଝାଁକି ପକାଉଛି ବେଢ଼ାଇ କାୟା ସେ,
ଝଡ଼ିପଡ଼ୁଛି ମେଦିନୀ ଯେ ।
ଝିମଟକେ ମୋତେ ସାହା ହୋଇଥିବ,
ଝାଳି ନାମ ଶବ୍ଦ ଧ୍ୱନି ଯେ । ୯ ।
ନିଶି ଦିବସରେ ନିଷ୍କାମ ଦ୍ୱାର ।
ନାମବ୍ରହ୍ମେ ଚିତ୍ତ ନାହିଁନା ମୋର ।
ନାଶ କପଟ କୁଟିଳ ହୃଦୟ ।
ନାହିଁ ମୋର ଆଗପଛକୁ ଭୟ ସେ,
ନିରାଶ ନକର ସ୍ୱାମୀ ଯେ ।
ନିରନ୍ତରେ ମୋତେ ସାହା ହେଉଥିବ,
ନାରାୟଣ ଅନ୍ତର୍ଯ୍ୟାମୀ ଯେ । ୧୦ ।
ଟାକି ନ ପାରୁଛି ଟିଆ ପର୍ଯ୍ୟନ୍ତେ ।
ଟଳମଳ ହେଉଛି ଅବିରତେ ।
ଟିକେ ହୋଇ ଟାଣ ନାହିଁନା ମୋର ।
ଟେଳାପ୍ରାୟ ପଡ଼ି ବିଲ ଭିତର ସେ,
ଟାଳି ମୋତେ ନ ଫିଙ୍ଗିବ ଯେ ।
ଟାଣେ ଡାକୁଅଛି ଗୁରୁଦେବ ସ୍ୱାମୀ,
ଟିକେ ମାତ୍ର ଦୟାଥିବ ଯେ । ୧୧ ।
ଠିକଣା ନାହିଁ ମୁଁ ଠକ ପୁରୁଷ।
ଠିଆହେଲେ ହାଇ ମାଡ଼େ ଅଳସ ।
ଠାରି କହୁଅଛି ସେ ଭୀମଭୋଇ ।
ଠସ ବଚନ ବହୁତ ଜାଣଇ ସେ,
ଠାକୁର ମୋହର ସତ ଯେ ।
ଠାବ କରିଛନ୍ତି ଅବନା ମନ୍ଦିରେ,
ଅଣାକାର ଅବଧୂତ ଯେ । ୧୨ ।
ଡାଳ ଧରିଅଛି ମୂଳକୁ ଛାଡ଼ି ।
ଡୋଳା ଗୋଚରେ ବିଷୟାରେ ପଡ଼ି ।
ଡକାଇତ ହୀନ ବୁଦ୍ଧି ମୋହର ।
ଡାକରା ବିଷ କରୁଛି ଆହାର ସେ,
ଡାକୁଅଛି ବିକଳରେ ଯେ ।
ଡେରି ବୀରବାନା ସମ୍ଭାଳି ଭୃତ୍ୟଙ୍କୁ
ନେଇ ବସାଇବ କୋଳେ ଯେ । ୧୩ ।
ଢଗଢ଼ମାଳିଆ ପରାୟ ହୋଇ ।
ଢାଉରଙ୍ଗ ଦେଖି ହେଉଛି ବାଇ ।
ଢୋକୁଅଛି ନାଗ ଗରଳ ବିଷ,
ଢାଳେହେଁ କାହାକୁ ଦେବଇଁ ଦୋଷ ସେ,
ଢଳିପଡ଼ୁଅଛି ପଥେ ଯେ ।
ଢାଙ୍କୁଣି ଭିତରୁ ବାଛି ଘେନିଯିବ ।୧୪।
ମୁରୁଛି ନ ଦେଇ ମୋତେ ଯେ ।
ଅନୁକ୍ଷଣେ ମୋହ ମାୟାରେ ବନ୍ଦୀ ।
ଅଣାୟତେ ଦିବା ନିଶିରେ ଛନ୍ଦୀ ।
ଅନନ୍ତ ପୁରୁଷ ମହିମା ଯେହୁ ।
ଅନ୍ତର୍ଗତେ ଭାବି ନୁହଇ ସେହୁ ସେ,
ଅଣାକାର ବ୍ରହ୍ମରାଶି ଯେ ।
ଅଣହେଳା ଦେଖି ଅନନ୍ତ ପୁରୁଷ
ଫିଟାଇବେ ମୋତେ ଆସି ଯେ । ୧୫ ।
ତରିବା ପଥକୁ ଶ୍ରୋତା ନ କରି ।
ତରସ୍ତ ହେଉଅଛି ଭବବାରି ।
ତ୍ରିଗୁଣର ମାୟା ନୁହଇ କାଟି ।
ତିନି ତିନିପୁର ପଡ଼ିଛି ଗଣ୍ଠି ସେ,
ତ୍ରୈଲୋକ୍ୟର ଚିନ୍ତାମଣି ଯେ ।
ତପତକୁଣ୍ଡରୁ ତାରିନେବ ଗୁରୁ ଛପନକୋଟି ଜୀବେ
ଗଣି ଯେ ଥୟ ହୋଇ ରହୁ ନାହିଁ ମୋ ମନ, ।୧୬।
ଥୟ ହେଉ ନାହିଁ ଏ ପଞ୍ଚ ପ୍ରାଣ ।
ଥଳରେ ପଡ଼ି ଭାସୁଅଛି ମୁହିଁ ।
ଥାନ ଦେଖାଇ କହିବ ଚିହ୍ନାଇ ସେ ।
ଧରୁଅଛି ପିଣ୍ଡ ପ୍ରାଣ ଯେ ।
ଥିବେ ଯେବେ ମୋର ବ୍ରହ୍ମାଣ୍ଡ କରତା
ନେବେ କରି ପରିତ୍ରାଣ ଯେ।୧୭ ।
ଦୂର ହେଉଅଛି ସେବା ଭକତି ।
ଦର୍ଶନେ ପ୍ରସନ୍ନ ନୋହୁଛି ମତି ।
ଦଉଡ଼ି ପରାୟେ କୁହୁଡ଼ି ମାୟା ।
ଦଗାଦାର କରି ବେତାଇ କାୟା ସେ,
ଦଇବ କରତା ପ୍ରଭୁ ଯେ,
ଦୂରୁ ଦଶ ଦଣ୍ଡ କରି ଖଣ୍ଡ ଖଣ୍ଡ,
ନିବାର କରିବ ସବୁ ଯେ । ୧୮ ।
ଧରି ନ ପାରୁଛି ଧଉର୍ଯ୍ୟପଣେ,
ଧାଇଁ ନାଶ ଯାଉଛି ଏଣେ ତେଣେ,
ଧରାଧରି ହୋଇ ପାଉଛି ଲଘୁ ଧାରଣା ଧିଆନ ବୁଡ଼ାଇ ସବୁ ସେ,
ଧନ୍ୟ ଯେବେ ବ୍ରହ୍ମରୂପ ଯେ;
ଧରି ମାରି ମୋତେ ଧର୍ମପଥ ଦେବ,
ଛିଡ଼ାଇ ସକଳ ପାପ ସେ । ୧୯।
ନୟନେ ବିଷୟା ରହିଛି ଛନ୍ଦି,
ନିଶିଦିବସେ ଅନୁଷଣେ ବନ୍ଦୀ,
ନବୀନ ବୟସ ନିହାଇ ଯାଇ,
ନିଶମୋଡ଼ି କଥା ନୁହଇ କହି ସେ ନିସଖା ଜୀବନ ମୋର ଯେ ନାଶିଲା ଜନଙ୍କୁ
ନାବରେ ବସାଇ ନେବ ନ କରି ଅନ୍ତର ଯେ । ୨୦ ।
ପାପପିଣ୍ଡ ପ୍ରାଣ ବହିଛି ମୁହିଁ,
ପର ପ୍ରୀତିରେ ଅନୁଷଣେ ଥାଇଁ,
ପାମର ଅଜ୍ଞାନ ଦୁର୍ବୁଦ୍ଧ ମନ,
ପ୍ରକାଶୁଛି ମେଘେ ଯେସନେ ଘନ ସେ;
ପରମ ପୁରୁଷ ଗୁରୁ ଯେ,
ପରଚେ କରାଇ ପରିତ୍ରାଣ ପଥେ,
ପାରିକରିବ ସଂସାରୁ ଯେ । ୨୧ ।
ଫୁଲ ଦେଖି ଫଳ ଶ୍ରୁତିରେ ମାତି,
ଫାନ୍ଦଫାଶେ ପଡ଼ି ରହିଛି ନିତି,
ଫୁଲାଫଣେ କହି ନୁହଇ କଥା,
ଫୁଟୁଅଛି ଦେହେଁ ନ ରହେ ଚେତା ସେ,
ଫରୁଆ ଭିତରେ ପଡ଼ିଯେ ।
ଫୁଲଫେଇ ମୁଦଫେଡ଼ି ମୋତେ ନେବ କଞ୍ଚି କୋଲପରେ ମୋଡ଼ି ଯେ । ୨୨ ।
ବାତୁଳ ପରାୟ ହେଉଛି ମନ,
ବୁଦ୍ଧି ବିବେକ ମୋ ଅଟଇ ସାନ,
ବିରାଜ କରିଅଛ ପରା ମଞ୍ଚେ ।
ବଣା ହୋଇ କରି ବୁଲିଛି ମିଛେ ସେ,
ବାରଣ କରିବ ନାହିଁ ଯେ ।
ବସାଘରୁ ମୋତେ ଗୁରୁଦେବ ସ୍ୱାମୀ,
ବାରେକ ନେବ ବଞ୍ଚଇ ଯେ । ୨୩ ।
ଭାବେ ଗଦଗଦ ସେ ଭୀମ ଭୋଇ,
ଭବ ସାଗରେ ଭାସୁଅଛି ମୁହିଁ,
ଭାରା ଉଶ୍ୱାସିବେ ଶ୍ରୀଗୁରୁଦେବ ଭାସିଲା ଜନକୁ ବସାଇ ନାବ ସେ,
ଭରସା କରିଛି ଭାରି ଯେ,
ଭାରତ ମଣ୍ଡଳୁ ବଞ୍ଚାଇ ରଖିବେ ଭାବଗ୍ରାହୀ,
ଦୟାକରି ଯେ ।୨୪ ।
ମନ ଛନ ଛନ ଚଞ୍ଚଳ ଚିତ୍ତ,
ମୋହନୀ ମାୟା ମଦରେ ମୋହିତ,
ମାତ୍ରକ ସମ୍ଭାଳି ନୁହଇ କଥା ।
ମତ ପ୍ରେମଭୋଳେ ବୁଡ଼ାଇ ଚେତା ସେ,
ମହିମା ମୋର ସାମଥ ଯେ,
ମୂର୍ଚ୍ଛିତ କରାଇ ମିଛ ପସରାରୁ ରଖିବେ,
ପ୍ରାଣ ମହତ ଯେ । ୨୫ ।
ଜାଣି ଜଗି ନ ପାରୁଛି ଆଗକୁ,
ଜାତ କରିଅଛ କଳିଯୁଗକୁ,
ଯୋନିରେ ଜନମ ହୋଇଛି ପିଣ୍ଡ,
ଯାଣୁଛ ଯମ ନିଶ୍ଚେ ଦେବ ଦଣ୍ଡ ସେ,
ଜଗତ ଜୀବନ ଧନ୍ୟ ଯେ,
ଜାଣି ବୁଝି ମୋତେ ରକ୍ଷାକରି ଯିବ,
ଉଦେ କରି ଧର୍ମପୁଣ୍ୟ ଯେ । ୨୬ ।
ରସରେ ବିଷୟା ମନେ ବାଞ୍ଛିତ,
ନାମବ୍ରହ୍ମେ ମୋର ନ ଥାଇ ଚିତ୍ତ,
ରାଗ ଅହଂକାର ହୃଦରେ ଘେନି,
ରହି ନ ପାରୁଛି ଆଜ୍ଞାକୁ ମାନି ସେ,
ରସାନ୍ତଳେ ଅଛି ପଡ଼ି ଯେ ।
ରଉରବ ନର୍କରୁ ତାରି ନେବ ଗୁରୁ ନାହିଁ ଯିବ ମୋତେ ଛାଡ଼ି ଯେ ।୨୭।
ଲୋଭ ମୋହରେ ନିରନ୍ତରେ ପଡ଼ି,
ଲାଳସେ ବିଷୟା ନ ପାରେ ଛାଡ଼ି,
ଲୋଭ ନିମନ୍ତରେ ଉଠୁଛି ନିନ୍ଦା,
ଲଙ୍ଘୁ ଭିତରେ କରିଅଛି ଫନ୍ଦା ସେ,
ଲାଗି ରହିଅଛି ମାୟା ଯେ ।
ଲକ୍ଷଣବନ୍ତ ପୁରୁଷ ପରଂବ୍ରହ୍ମ ସ୍ୱାମୀ,
କରିଥିବ ଦୟା ଯେ । ୨୮ ।
ବଣା କରୁଅଛି ବାରାଧି ନଦୀ ।
ବିଷୟାଦ୍ୱନ୍ଦେ ଅହର୍ନିଶି ବନ୍ଦୀ ।
ବ୍ରହ୍ମାଣ୍ଡ କରତା ବିଜେ ଆପଣ ।
ବିର ବିଧୁବାନା ଉଡ଼ୁଛି ଶୂନ୍ୟ ସେ,
ବୈଷ୍ଣବ ମୂରତି ରୂପ ଯେ ।
ବିଧିମତେ ନେଇ ବାହୁତଳେ ଥୋଇ;
ନ କରିବ ଗାଳି କୋପ ଯେ । ୨୯ ।
ଶ୍ରୋତା ନାହିଁ ପ୍ରଭୁ ପାଦ ତଳରେ ।
ଶ୍ରମ କରୁଅଛି ଶ୍ରୁତି ଫଳରେ ।
ସାରବ୍ରହ୍ମ ପାଦ ଗୋଚର ନାହିଁ ।
ଶିରକୁ ଲୁଚାଇ ବଞ୍ଚିବି କାହିଁ ସେ ।
ଶକତି ନାହିଁନା ଦେଖ ଯେ ।
ସଂସାର ସାଗରୁ ତାରି ନେବ ଗୁରୁ ।
ଶାନ୍ତିରେ କରି ବିବେକ ଯେ । ୩୦ ।
ସତ ଶାନ୍ତି ଦୟା କ୍ଷମା ନ ପାଳି ।
ସଂସାର ଭିତରେ ମରୁଛି ଭାଳି ।
ସବୁ ପାତକ କରିଅଛି ମୁହିଁ ।
ସଧୀରେ ସୁନ୍ଦର ରୂପକୁ ଚାହିଁ ସେ,
ସରିଲାଣି ସର୍ବ ଆସି ଯେ ।
ସର୍ବ କଥା ମୋର କରତା ବୁଝିବେ,
ସ୍ୱର୍ଗ ବଇକୁଣ୍ଠବାସୀ ଯେ । ୩୧ ।
ସଙ୍ଗ ସାଥିଜନ ମେଳରେ ପଡ଼ି।
ସିଦ୍ଧାନ୍ତ ବଚନ ଦେଉଛି ଛାଡ଼ି ।
ସକଳ ବିଷୟା ଲାଗିଛି ମୋତେ ।
ଶୂନ୍ୟବାସୀ ପ୍ରଭୁ ଜାଣନ୍ତି କେତେ ସେ,
ସମସ୍ତଙ୍କୁ ଜଣା ନାହିଁ ଯେ ।
ସତ୍ୟ ସତ୍ୟ ବାଣୀ କର୍ଣ୍ଣେ ଥାଅ ଶୁଣି;
ପାପ ପଙ୍କେ ଅଛି ମୁହିଁ ଯେ । ୩୨ ।
ହେଉଅଛି ହାନି ଲାଭରେ ବାଇ।
ହେତୁ ହିତଜ୍ଞାନ ଚେତା ବୁଡ଼ାଇ ।
ହତ୍ୟାରେ ମରୁଛି ହସ୍ତ ଲଗାଇ ।
ହେଉଅଛି ପାପ କେ ପାରେ କହି ସେ,
ହର ହର ପାପରାଶି ଯେ ।
ହରେକ କଥାରୁ ତାରି ନେବ ଗୁରୁ ଫିଟାଇଣ କାଳଫାଶୀ ଯେ । ୩୩ ।
କ୍ଷତିମଣ୍ଡଳରେ ରଖିଛ କଥା ।
ଖଣ୍ଡୁଅଛ ଭକ୍ତଙ୍କ ମନବ୍ୟଥା ।
ଖେଳ ହେବାଯାଏ ନୋହୁ ମରଣ ।
କ୍ଷମା ସାଗରଙ୍କ ପାଦେ ଶରଣ ସେ;
ଭଣେ ଭୀମ ଅରକ୍ଷିତ ଯେ।
କ୍ଷମା ନୋହିବାରୁ ପୋଡ଼ୁଅଛି ମୋର,
ଜୀବଆତ୍ମା ପଞ୍ଚଭୂତ ଯେ । ୩୪ ।
କୃପାସାଗର କାମନା ଶୂନ୍ୟବାନା କଳିଯୁଗେ ଉଦେ ହୋଇ ।
କରତି କାଟୁଛି ହୃଦୟ ମୋହର କଳିକାଳ ଯୁଗ ଚାହିଁ ଯେ ।
କିମ୍ପା ଏତେ କଷଣ ।
କାହିଁ ରଖୁଅଛ ମୋତେ ଆପଣ ।
କୀର୍ତ୍ତି ରହିଲା ତିନି ଭୁବନ ।
କରିଅଛି କି କି ଦୋଷମାନ ଯେ । ୧ ।
ଖଣ୍ଟ ହସ୍ତେ ମୋତେ ଦଣ୍ଡ ଦିଆଉଛ ଖଟି ଥାଉଁ ଥାଉଁ ପାଦେ ।
ଖାଇବା ପିଇବା ଦୂର ହେଉଅଛି ଖଚୁଆଙ୍କ ପରମାଦେ ଯେ ।
କ୍ଷମା ସାଗର ବାନା ।
କ୍ଷଣେ ବୁଝାମଣା ହେଉ କିନା ।
ଖିନ୍ନ କଲାଣି ଚିନ୍ତା ବେଦନା ।
ଖେଳ କେବେ ନ ପଡ଼ିଲା ଚିହ୍ନା ଯେ । ୨।
ଗାଈ ପ୍ରାୟ ସର୍ବେ ଗର୍ଜି ମରୁଛନ୍ତି ଜ୍ଞାନକୁ ଗୋଚର ନାହିଁ ।
ଗରିବିତା ପଣେ ଘାରି ହେଉଛନ୍ତି ।
ଗାରିମା ପଣକୁ ବହି ଯେ ।
ଗତ ବାସନା ନାହିଁ ଗଦ ଗଦ ମନେ ଖଚ କହି ।
ଗଦାଗଦି ଦାଣ୍ଡବାଟେ ବହି ।
ଗଡ଼ି କୁଢ଼ ପ୍ରାଏ ଥିବେ ଚାହିଁ ।
ଗତି ମିଳିବ ତାହାଙ୍କୁ କାହିଁ ଯେ । ୩ ।
ଘୋଟି ଆସୁଅଛି ଧୂମ ପ୍ରାଏ କରି ଘୋର ମାୟା ଅନ୍ଧକାର।
ଘାରି ହେଉଅଛି ଦିବସ ରଜନୀ;
ଦିନ ନ ସରଇ ମୋର ଯେ ।
ଘନେ ବିଜୁଳି ପ୍ରାଏ ।
ଘରେ ଘରେ କଲେଣି ଅନ୍ୟାୟେ ।
ଘୁଞ୍ଚି ଯିବାକୁ ନାହିଁ ଉପାୟେ ।
ଘିଞ୍ଚି ଧରି ମାରିବେ ନିଶ୍ଚୟେ ଯେ । ୪ ।
ଅସରନ୍ତି ଦିନ କେଉଁରୂପେ ନେବି,
ଘୋର କଳିକାଳ ଯୁଗେ ।
ଆନନ୍ଦ ମନେ କେମନ୍ତେ ବିହରିବି ଅସୁର ମେଳଛ ସଙ୍ଗେ ଯେ ।
ଅନୁସରିଛି ଧ୍ୟାଇ ।
ଆଶା ପଦ୍ମପାଦେ ଚିତ୍ତ ଦେଇ ।
ଆତଙ୍ଗରେ ହେଉଛି ବିନୟୀ ।
ଏକ ପ୍ରଭୁ ବିନୁ ଅନ୍ୟ ନାହିଁ ଯେ । ୫ ।
ଚିଆଁଇଲା ଯହୁଁ ଚମକି ପଡ଼ୁଛି ଚର୍ମ ଦେହକୁ ଏ ନିନ୍ଦା ।
ଚାକରୀ କରିଛି ଚାରୁ ଚରଣରେ କେତେ ଦିବସକୁ ଫନ୍ଦା ଯେ ।
ଚେତା ନାହିଁ ମୋହର ।
ଚିତ୍ତୁ ଚୈତନ୍ୟ ବୁଡ଼ି ଅନ୍ଧାର ।
ଚିନ୍ତା ଦେହକୁ ହେଲାଣି ଭାର ।
ଚାଲି ଫୁଟିଲାଣି ମୋ ଶରୀର ଯେ । ୬ ।
ଛାଇତଳ ବୋଲି ଆଶ୍ରେ କରିଥିଲି ଛଳି ଦେଉଛ କିମ୍ପାଇ ।
ଛିଛିକାର କରି ଘଉଡ଼ିଲେ ମୋତେ ପାଶରୁ ମୁଁ ଯିବି କାହିଁ ଯେ ।
ଛେକି ଗଞ୍ଜି ମାରୁଛ ।
ଛାଡ଼ି ନିରାଶେ ଫିଙ୍ଗି ଦେଉଛ ।
ଛପ୍ନାକୋଟି ଜୀବେ ପଡ଼ି ସଞ୍ଚ ।
ଛବି ଚାତୁରୀରେ ଭୁଲାଉଛ ଯେ । ୭ ।
ଯାଇ ନ ପାରଇ ଜ୍ୟୋତି ଲିଙ୍ଗ ପାଶ ଯୋଗେ ନାହିଁ ବୋଲିକରି ।
ଯୋଗୀ ବେଶ ଧରିଛନ୍ତି ମୋର ସ୍ୱାମୀ ଜଳିଯିବି ବୋଲି ଡରି ଯେ ।
ଯାର ସେବକ ଯେହୁ ।
ଜାଣି ଦୟା ନଥିବ କି ଆଉ ।
ଜନ ଜଗତ ଦୁଃଖ କେ ସହୁ ।
ଯତନରେ ପଡ଼ି ଦିଆଯାଉ ଯେ । ୮ ।
ଝାଡ଼ର ଭିତରେ ଝଞ୍ଜା ମାରୁଅଛି ଝାଉଁ ପବନର ଘାତେ ।
ଝଙ୍କାରି ମାରୁଛି ଝର ବହୁଅଛି ଝିମାଜ୍ୱର ବାତ ପିତ୍ତେ ଯେ।
ଝାଳ ବହୁଛି ଦେହ ।
ଝର ଝର ନୟନରୁ ଲୁହ ।
ଝଟତିରେ ବୁଝି ଆଜ୍ଞା ଦିଅ ।
ଝିମିଟକେ ପାରି କରି ନିଅ ଯେ । ୯।
ନିଷ୍ଟା କରାଉଛି ନିଷ୍କାମ ଯୋଗରେ ରଖି ନିର୍ବେଦ ଧର୍ମରେ ।
ନିସତ ଲାଗିଛି ମନରେ ମୋହର କହିଣ ନାମ ନାବରେ ଯେ ।
ନିନ୍ଦା ହେଲେ ଜଗତେ ।
ନାରାୟଣ କି ବୋଲିବେ ତୋତେ ।
ନାମ ବଖାଣ ହେବ କେମନ୍ତେ ।
ନାହିଁ ନ ନିଅ କୁକର୍ମ ପଥେ ଯେ । ୧୦ ।
ଟାକି ଟାକି ମୋର ଟାଣ ଭାଙ୍ଗିଗଲା ଟୋକା ବେଳୁ ଅନୁସରି ।
ଟିକେ ମାତ୍ର ଅଣ ବିଶ୍ୱାସ ବଚନ ଶୁଣିଲେ ହୃଦ ବିଦାରି ଯେ ।
ଟିଆ ହେଲାଣି କଣ୍ଟ ।
ଟେକି ବୀରବାନ ବେଗେ ଉଠ ।
ଟାହି କଲେଣି ମୂଢ଼ ପାପିଷ୍ଠ ।
ଟାପରାରେ ତାଙ୍କ ମନ ହୃଷ୍ଟ।
ଟେଳା ମାରି ଦେଉଛନ୍ତି ଦୁଷ୍ଟ ଯେ । ୧୧ ।
ଠାକୁର ବୋଲାଇ ଠକି ଯେବେ ଯିବ କି ବୁଦ୍ଧି କରିବି ମୁହିଁ ।
ଭୀମ ଅରକ୍ଷିତ ଜଣାଣ କରୁଛି ଶ୍ରୀ ଛାମୁରେ ଠିଆ ହୋଇ ଯେ ।
ଠିକ ହେଲାଣି ଆସି ।
ଠାବ ଦିଅ ବେଗେ ଶୂନ୍ୟବାସୀ ।
ଠେଲ ସିନ୍ଧୁରେ ଯାଉଛି ଭାସି ।
ଠଣା କେତେ ଜଗିଥିବି ବସି ଯେ । ୧୨ ।
ଡାଏଣୀ ଡାଙ୍କେଶ୍ୱରୀଙ୍କ ମୁଖରୁ ଯେ ବଞ୍ଚିବ ସାର ସଞ୍ଜି ।
ଡାଳ ଧରି ନରେ ଆଣ୍ଟ କରୁଛନ୍ତି ଗରବ ମୁଁ ଦେବି ଗଞ୍ଜି ଯେ ।
ଡାକି କହୁଛି ଉଚ୍ଚେ ।
ଡକା ପଡ଼ିଯିବ ସ୍ୱର୍ଗ ମଞ୍ଚେ ।
ଡ଼ିଙ୍ଗୁରା ବାଜିବ ଆଗ ପଛେ ।
ଡ଼ରି ଉଦେ ହୋଇଛୁ କି ମିଛେ ଯେ । ୧୩ ।
ଢଗଢ଼ମାଳିଆ ଢମ ପଣ କରି ଢଉ ରଙ୍ଗ ଦେଖି ବାଇ ।
ଢିକି ଢିକି ମାଡ଼ ବସି ଗଲାବେଳେ ରଖିବ କେ ବାପ ଭାଇ ଯେ ।
ଢଳି ଯିବେ ସମସ୍ତେ ।
ଢ଼ାଙ୍କୁଣୀରୁ ଫିଟି କେତେ କେତେ ।
ଢ଼େଉ ମାଟି ମାଖୁଛନ୍ତି ଯେତେ ।
ଢ଼ୋଲ ପ୍ରାୟେ ଗଡ଼ୁଥିବେ ମର୍ତ୍ତ୍ୟେ ଯେ । ୧୪ ।
ଅଣାକାର ପ୍ରଭୁ ଅଣ ସାଧନାରେ ଉଦୟେ ହୋଇଲ ଆସି ।
ଅନୁକ୍ଷଣେ ଦ୍ୱନ୍ଦ୍ୱ ଉଠାଉ ଅଛନ୍ତି କରୁଛନ୍ତି ପରିହାସି ଯେ ।
ଅଣ ଅକ୍ଷର ପଦ ।
ଆଣି ବର୍ଣ୍ଣି ନ ପାରିଲା ବେଦ ।
ଅଣ ଆକାରେ ରହିଲା ଭେଦ ।
ଅନ୍ତ ନ ପାଇଲା ଚାରି ବେଦ ଯେ । ୧୫ ।
ତରତର ହେଉଛନ୍ତି ପ୍ରାଣୀମାନେ ତପ କରିଛନ୍ତି କାହିଁ ।
ତନୁ ଖିନ୍ନ କରି ତିନି ବ୍ରହ୍ମାଣ୍ଡରେ ଲୋଡ଼ି ନ ପାରିଲେ କେହି ଯେ ।
ତତ୍ତ୍ୱ କାହାର ଅଛି ।
ତ୍ରିଗୁଣରେ ଏ ଦେହ ଚଳୁଛି ।
ତପ୍ତ ଅନଳେ ଦହି ହେଉଛି ।
ତମ ରାଗେ ଚେତା ବୁଡ଼ାଉଛି ।
ତାକୁ ମନେ କେ ଭେଦି ପାରୁଛି ଯେ । ୧୬ ।
ଥରକୁ ଥର ଦେବକୂଟ ପଡ଼ୁଛି ଥୟେ ଥିବ ଯାର ମନ ।
ଥିତି ଦେବେ ନିଶ୍ଚେ ନୁହେ ମିଛ କଥା ଧରଣୀ ଆକାଶ ରାଣ ଯେ ।
ଥିବଟିଆକୁ ଯେହି ।
ଥରିଯିବ ନବଖଣ୍ଡ ମହୀ ।
ଥାବର ପରାଏ ଥିବେ ଚାହିଁ ।
ଥିତି ନ ମିଳିବ ଯିବେ କାହିଁ ଯେ । ୧୭ ।
ଦୁଃଖ କଲେ ସିନା ସୁଖ ଭୋଗ ଅଛି ଦୟାରୁ ଧରମ ଉଦେ ।
ଦରଦର ହେଲେ ଦରିଦ୍ର ହୁଅନ୍ତି କହିଅଛି ଚାରିବେଦେ ଯେ ।
ଦାଉ ସହିଲେ ଦେହ ।
ଦୟା ହେଲେ କ୍ଷୟ ଯିବ ମୋହ ।
ଦୂର ହୋଇ ଯିବ ମାୟା ବିହ୍ୱ ।
ଦରଶନ ପାଇବ ସେ ପୁଅ ଯେ । ୧୮ ।
ଧରମ ପଥକୁ ଆଶ୍ରିତ କରନ୍ତେ ଧରି ଧରି ନେଇ ଯିବେ ।
ଧ୍ୟାନ ଜ୍ଞାନ କିଛି ପଚାରିବେ ନାହିଁ ଧରି ମାରି ଦଣ୍ଡୁ ଦେବେ ଯେ ।
ଧ୍ୟାଇ ଥିଲେ ନାମକୁ ।
ଧରା ନ ଥିବ ଆଉ ଦିନକୁ ।
ଧର୍ମରକ୍ଷା କରିବ ତୁମ୍ଭଙ୍କୁ ।
ଧ୍ୟାଇଥିବ ମୋ ପାଦ ପଦ୍ମକୁ ଯେ । ୧୯ ।
ନରଦେହ ବହି ନିଷ୍କାମ ଭାବକୁ ନେତ୍ରେ ଦେଖିବୁ ବୋଲନ୍ତି ।
ନାମ ବ୍ରହ୍ମ ବୋଲି ଯେବଣ ପଦାର୍ଥ ଧରି ସମ୍ଭାଳିଛି ପୃଥ୍ୱୀ ଯେ ।
ନିନ୍ଦା କରୁ ଅଛନ୍ତି ।
ନାଶ ଯିବେ ନ ପାରିବେ ଚେତି ।
ନୀଚ ବଚନ କହୁ ଅଛନ୍ତି ।
ନାବଥାଉଁ ବୁଡ଼ି ମରୁଛନ୍ତି ଯେ । ୨୦ ।
ପିଣ୍ଡକୁ ପଛକେ ପ୍ରାଣ ଗଚ୍ଛୁ ନାହିଁ ପରୀକ୍ଷା ଦିଅ ବୋଲନ୍ତି ।
ପୁଣ୍ୟକରି ବେଖି ନାହାନ୍ତିତ ତାଙ୍କ ବାପ ଅଜା ଅଣନାତି ଯେ ।
ପଥ ପାଇବେ କାହୁଁ।
ପ୍ରାଣ ଉଡ଼ିଯିବ ଚାହୁଁ ଚାହୁଁ ।
ପର ସ୍ତ୍ରୀରେ ଦୃଷ୍ଟି ଦେଉ ଦେଉ ।
ପାପଭାରା ଛେଦି ନାହିଁ କେହୁ ଯେ । ୨୧ ।
ଫୁଲା ପଣରେ ଫିସାଦ କରୁଛନ୍ତି ଫଳ ସୁରତିରେ ବାଇ ।
ଫିଟିଲାଣି ଆସି ଅଲେଖ ବୀର ବାନା କେହି ଚିହ୍ନିବାକୁ ନାହିଁ ଯେ ।
ଫାଳ ଫାଳ ତ୍ରିପୁର ।
ଫାନ୍ଦେ ପଡ଼ିବେ ସର୍ବେ ଏଥର ।
ଫାଶେ ବାନ୍ଧିବେ ଯମ ଡ଼ଗର ।
ଫିସାଦଦିରେ ଛନ୍ତି ଯେତେ ନର ଯେ । ୨୨ ।
ବଦଳି ପୁଣି ସତ୍ୟଯୁଗ ହୋଇବ ବଣା ହେଉଥିବ ସର୍ବେ ।
ବ୍ରହ୍ମାଣ୍ଡ ସ୍ଥିତି ବସ୍ତି ହେଲା ବେଳକୁ ମେଳଛ କେହି ନ ଥିବେ ଯେ ।
ବାରି ନେବ ଭକତ ।
ବିବାଦରେ କରିବ ଅନର୍ଥ ।
ବୀର ବେଶେ ଭ୍ରମୁଛ ଜଗତ ।
ବାନା ତିନି ଭୁବନରେ ଖ୍ୟାତ ଯେ । ୨୩ ।
ଭାସିଯିବ ଏ ବ୍ରହ୍ମାଣ୍ଡ ନବଖଣ୍ଡ ଭରଣା ହେଲାଣି ଯୁଗ ।
ଭୋଳା ହେଉଛନ୍ତି କଳିଯୁଗ ନର ଭାଙ୍ଗି ଦେବି ଗେଲେ ଗର୍ବ ଯେ ।
ଭାରା ଛେଦିବି ଏବେ ।
ଭାବି ସତ୍ୟ କରିଅଛି ପୂର୍ବେ ।
ଭାରି ଅସୁର ହେଲେଣି ଭବେ ।
ଭଣ୍ଡ ଲୋକେ ସର୍ବେ ନାଶ ଯିବେ।
ଭୟ କୁମ୍ଭୀନର୍କରେ ପଡ଼ିବେ ।
ଭଣେ ଭୀମ ଧ୍ୟାଇ ପାଦ ଯୁଗେ ଯେ । ୨୪ ।
ମହିମା ପ୍ରକାଶ ମର୍ତ୍ତ୍ୟ ମଣ୍ଡଳରେ ପ୍ରତକ୍ଷେ ହୋଇଛି ଉଦେ ।
ମନ ଜ୍ଞାନ ଧ୍ୟାନ ଭକ୍ତି ବୋଲିବାକୁ ନ ବୁଝିଲେ ଚାରି ବେଦ ଯେ ।
ମହୀ ଉଶ୍ୱାସ ହେବ ।
ମରିବାକୁ ହୋଇଲେଣି ଆଗ ।
ମନ୍ତ୍ର ଯନ୍ତ୍ର ସବୁ କାଟ ଯିବ ।
ମାଟି ଭିତରେ ପୋତା ହୋଇବ ।
ମହା ଅନର୍ଥ ଏଥେ ଉଠିବ ଯେ । ୨୫ ।
ଜାଣୁ ଜାଣୁ ସର୍ବେ ବଣା ହେଉଅଛ ଜାଗି ନ ପାରୁଛ ଦେହ ।
ଯୁତକାଳଗଣେ ପ୍ରବେଶ ହୋଇଲେ କେ ରକ୍ଷା କରିବ କୁହ ଯେ ଯୋଗ୍ନୀ ଖାଇବେ ନିଶ୍ଚେ ।
ଜଗି ବସିଛନ୍ତି ଆଗ ପଛେ ।
ଯାଇଁ ପଡ଼ିବ ନରକ ଖାଞ୍ଚେ ।
ଯମ ଗୁନ୍ଥିବ ଶିମୁଳି ବୃକ୍ଷେ ।
ଯୋନି ଜନ୍ମ ନ ରଖିବି ମଞ୍ଚେ ଯେ । ୨୬ ।
ରବି ରଗଡ଼ ଯେତେବେଳେ ପଡ଼ିବ ବଞ୍ଚିବେ ନାହିଁ ମନୁଷ୍ୟ ।
ଋଷିଗଣ ଆଦି ରହି ନ ପାରିବେ କଷ୍ଟ ପାଇବେ ମୋ ଦାସ ଯେ ।
ରଣ ଯୁଦ୍ଧ କରିବେ ।
ରାଜାମାନେ ଆଜ୍ଞା ଘେନି ଯିବେ।
ରସା ମେଦିନୀ ସୈନ୍ୟ ପୂରିବେ ।
ରହି ସିଂହ ରଡ଼ି ଦେଉଥିବେ ।
ରାଗେ ବୃକ୍ଷ ଉପାଡ଼ି ପିଟିବେ ଯେ।୨୭।
ଲିହି ପୋକ ପ୍ରାଏ ଲାଗିଛନ୍ତି ସର୍ବେ ଲଘୁ ଦେଉଛନ୍ତି ଯେତେ ।
ନାଗର ଲୋକ ମହୀରେ ନ ରଖିବି ଚାରିଧର୍ମ ରାଣ ମୋତେ ଯେ ।
ଲକ୍ଷ ଲକ୍ଷ ଝଡ଼ିବେ ।
ଲୁହା ବାଡ଼ି ବାଜିଲେ ପଡ଼ିବେ ।
ଲାତ ବିଧାରେ ପିଞ୍ଜି ବୁଡ଼ିବେ ।
ଲୋଭ ମୋହେ ସର୍ବେ ନାଶ ଯିବେ।
ଲେଖା ପଢ଼ାରେ କେହି ନ ଥିବେ ଯେ । ୨୮ ।
ବାଦି କଲା ଲୋକ ବଂଶ ବୁଡ଼ିଜିବ ।
ବଞ୍ଚିବେ ନାହିଁ ଗୋଟିଏ ।
ବନବାସ ଘୋରେ ତପସ୍ୟା କରୁଛି ଶାପ ମୋ ପଡ଼ୁ କୋଟିଏ ଯେ ।
ବୁଡ଼ି ଯିବଟି କୁଳ ।
ବାସ ମନ୍ଦିରେ ହେବ ବିଫଳ ।
ବିଷ ହେବ ଭକ୍ଷିବାର ଫଳ ।
ବାତ ପିତ୍ତ ଦେହେ ହେବ କାଳ ।
ବଣାହୋଇ ଯିବ ବୁଦ୍ଧି ବଳ ଯେ । ୨୯ ।
ସରି ଗଲେଣି ଭକତକୁଳ ବୃନ୍ଦ ସରା ଖପରା ମୁଣ୍ଡାଇ ।
ସରି ଗଲାଣି ଏ ମହତ ମର୍ଯ୍ୟାଦା ସର୍ବ ଘରେ ଖାଇ ଖାଇ ଯେ ।
ଶିର ଲୋଟି ଭୂମିରେ ।
ଶରଣ ମାଗି ଉଦେ ଅସ୍ତରେ ।
ଶିରୀ ଧର୍ମ ନାହିଁନା ସଂସାରେ ।
ସ୍ୱାମୀ ବୁଝାମଣା କର ବାରେ ଶେଷ ଜୀବନ ହେଲା ମାୟାରେ ଯେ । ୩୦ ।
ସକଳ କର୍ମ ଗୃହୀମାନେ ଛାଡ଼ିଲେ ଭଜିବାକୁ ରହି ସର୍ବେ ।
ସତ୍ୟ ଦେଖିବାକୁ ଆଶ୍ରେ କରିଥିଲେ ପରୀକ୍ଷା ନଦେଲେ କେବେ ଯେ ।
ସତ୍ୟ ନାହିଁ କାହାରି ।
ଶକତାରେ ପ୍ରଚାରି ନ ପାରି ।
ଶାସ୍ତି ଦଣ୍ଡରେ ଗଲେଣି ସରି ।
ଶତ୍ରୁ ମାରୁଛନ୍ତି ଧରି ଧରି ।
ସଦଗୁରୁ ବୁଝ ବେଗ ବେଗ କରି ଯେ । ୩୧ ।
ସିନ୍ଧୁ ସୋହତିରେ ଭାସିଗଲେ ସର୍ବେ
ସମ୍ଭାଳ ତୁମ୍ଭ ଭଗତ ସ୍ୱପନ ପରାଏ
ପଚାରୁଛ ମୋତେ କଷଣ ହେବ ଜଗତ ଯେ ।
ସବୁ ଜାଣୁଛ ଆପେ ।
ସଦଭକ୍ତଙ୍କୁ ମାରୁଛ ଖାଞ୍ଚେ ।
ଶୋଧି ପଚାରୁଛ ବାଦି କଳ୍ପେ ।
ସର୍ବ ଭୂତେ ଅନ୍ତର୍ଯ୍ୟାମୀ ରୂପେ ।
ସଦା ବିରାଜୁଛ ଆପ ସୁଖେ ଯେ । ୩୨ ।
ହବ ହବ ବୋଲି ହାକ କରୁଅଛ ଭକତ ମୁଖେ ପ୍ରକାଶି ।
ହେଲା ନାହିଁ ଯୁଗ ବହି ଯାଉ ଅଛି ଅବନା ମଣ୍ଡଳବାସୀ ଯେ ।
ହାସ୍ୟ କରୁଅଛନ୍ତି ।
ହଟା ଦେବେ ନବଖଣ୍ଡ ପୃଥ୍ୱୀ ।
ହକ ନ୍ୟାୟକୁ ଦେଲେଣି ପୋତି ।
ବ୍ରହ୍ମ ମହିମାକୁ ନ ଜାଣନ୍ତି ।
ହତ ହୋଇଯିବେ ମନ୍ଦମତି ଯେ । ୩୩ ।
କ୍ଷମା ସିନ୍ଧୁ ପାଦେ ଭଜି ଭଜି ଆମ୍ଭେ ଖାର ପାଉଁଶ ଆସନ ।
ବୃକ୍ଷ ବକଳ ପାଟ ଲୁଗା କରିଣ ତେଜିଲୁ ଝିନ ବସନ ଯେ ।
ସତ୍ୟ ହେଉ ଜଗତ । କ୍ଷଣେ ସମ୍ଭାଳ ତୁମ୍ଭ ଭକତ ।
କ୍ଷମେ ଭଣେ ଭୀମ ଅରକ୍ଷିତ ।
ଗୁରୁପାଦେ କରି ପ୍ରଣମିତ ।
କ୍ଷମାକର ସ୍ୱାମୀ ଦୋଷ କୃତ ଯେ । ୩୪ ।
କିସ ଜଣାଇବି ପ୍ରଭୁ ଶ୍ରୀଛାମୁରେ;
କରିଅଛି ଯେତେ କର୍ମମାନ ।
କଳିଯୁଗେ ମୋତେ ଜନମ କରାଇ,
କରତା ପୁରୁଷ କି ନ ଜାଣ ।
କାମ କ୍ରୋଧରେ ହେ;
ଗଢ଼ି ରଜବୀର୍ଯ୍ୟ ପିଣ୍ଡଗୋଟା ।
କପୋଳରେ ମୋର ଲେଖି ଦେଇ କରି କିମ୍ପାଇ କରୁଛ ହଟହଟା । ୧ ।
କ୍ଷିରନୀର ଫଳମୂଳ ଆଣି ପ୍ରଭୁ ଭିଆଇ ଥୋଇଛ ଏ ଜଗତେ ।
କ୍ଷୁଧା ତୃଷା କଲେ ନ ଖାଇବି ଯେବେ;
କେମନ୍ତେ ବର୍ତ୍ତିବି କହ ମୋତେ ।
ଖଞ୍ଜା କରାଇ ହେ; କାହିଁକି ଏମାନ ଅରଜିଲ ।
ଖାଇବୁ ଯେବେ ଖରାପ ହେବୁ ବୋଲି,
ଫେଡ଼ି ଯେବେ ସ୍ୱାମୀ ନାସ୍ତିକଲ । ୨ ।
ଗିରିରୁ ଆଣିଲ ଗର୍ଭେ ସ୍ଥିତି ଦେଲ;
ଗଢ଼ିଲ ଆପେ ଆପଣ ବସି ।
ଗାତମୁହଁ ବାଟେ ଝିଙ୍କିଆଣି ମୋତେ;
ପଶ୍ଚ୍ୟାନ୍ତେ ବୋଲୁଛ ହେଲୁ ଦୋଷୀ ।
ଜ୍ଞାନ କରିଛ ହେ ।
ଚାରିଯୁଗ ରଜବୀର୍ଯ୍ୟ ମେଳେ ।
ଗେରସ୍ତ ଭାରିଯା ଯୁକ୍ତ କରି ଦେଇ;
ନାସ୍ତି କରୁଅଛ ଏତେବେଳେ । ୩ ।
ଘରର ଭିତରେ ଘାଣ୍ଟି ଘାଣ୍ଟି କରି;
ମାୟାରେ ପ୍ରିଣ୍ଡ ବ୍ରହ୍ମାଣ୍ଡ ଭରି ।
ଭିତରେ ଘରଣୀ ଜୀବକୁ ଥୋଇଣ;
ପରମକୁ ଅଛି ସଙ୍ଗ କରି ।
ଘୋଟି ରହିଛ ହେ ।
ସ୍ୱର୍ଗମର୍ତ୍ତ୍ୟ ତିନି ତ୍ରଇଲୋକ ।
ଝିଙ୍କି ଆଣି ଘୋରବନରେ ପକାଇ,
ଏବେ ବୋଲୁଅଛ ଦେଖ ଦେଖ । ୪ ।
ଅନନ୍ତ ଗର୍ଭରେ ଅନ୍ଧାର ମାୟାରେ,
ବଣା କରୁଅଛ ଏ ଜୀବକୁ ।
ଆଣି ଯୋନି ଜାଲ ଟାଣେ ବେଢ଼ି ବସି,
ଧୀବର ହୋଇଛ ଦେଖୁ ଦେଖୁ ।
ଅଧା ପନ୍ତରା ହେ,
କରିଗଲ ମୋତେ ଅଧବାଟେ,
ଅଧିକରେ ମୋତେ ଗାଳି ଦେଉଅଛ,
ଗଡ଼ିଗଲୁ ବୋଲି ନଟକୁଟେ । ୫ ।
ଚର୍ମରେ ଆଣି ଜୀବକୁ ରଖିଅଛ,
ଚିନ୍ତାରେ ପକାଇ କଳିଯୁଗେ ।
ଚାରି ଦିବସକୁ ଆୟୁଷ ହୋଇଛି କ୍ଷୟ ଯାଉଅଛି ପିଣ୍ଡ ବେଗେ ।
ଚେତା ବୁଡ଼ାଇ ଯେ,
ଲାଳସେ ଚୁମ୍ବନ ଚୁମ୍ବି ଦେଲା ।
ଚୋରକୁ ଜଗାଇ ପିତା ହୋଇ କରି ବୋଲୁଅଛି ବିଅର୍ଥରେ ଗଲା । ୬ ।
ଛାୟା ପ୍ରାୟ ହୋଇ ଛେକି ଛେକି ନେଇ ମାତା ଛଡ଼ଦଳେ ଯୁକ୍ତ କଲ ।
ଛବି ଚାତୁରିକି ଖଞ୍ଜି ଦେଇ,
କରି ପ୍ରକୃତିକି ଖଞ୍ଜି ମାଳ ମାଳ ।
ଛାଡ଼ି ଦେଇଛ ହେ ଶ୍ରୀଗୁରୁ ବଚନ ଧର୍ମପଥ ।
ଛୁଆଁ ଛୁଇଁ କରି ଛୁଆଁ ଦୁଆରରୁ ଆଣି ବୋଲୁଛ ହୋଇଲ ଭୂତ ।୭।
ଯୋନିରେ ଜନମ କରିଛ ଜୀବକୁ,
ଯୁଗଳେ ମିଶାଇ ତେତେବେଳେ ।
ଯୁକ୍ତ ନୁହଁବୋଲି ବତାଉଛ,
ମୋତେ ପହଁରାଇ ଆଣି ଭବଜଳେ ।
ଯମ ଦୁଆର ଯେ, ଯିବୁନାହିଁ ବାବୁ କଦାଚିତେ ।
କ୍ଷିରନୀର ପ୍ରାୟେ ମିଶାଇ ଦେଇଣ,
ବିରୁଦ୍ଧ କରୁଛ ବାହ୍ୟମତେ । ୮ ।
ଝାବଡ଼ାରେ ନିର୍ଭା କରିଛ ଶରୀର,
ଝଞ୍ଜିରି ଲାଗିଛି ସର୍ବଠାରେ ।
ଝୁମ୍ପା ପ୍ରାୟକରି ପଚିଶ ପ୍ରକୃତି,
ଲମ୍ବାଇ ଆଣିଛ ସର୍ବାଙ୍ଗରେ ଝାଡ଼ ଭିତରେ ଯେ ।
ପଶିଗଲା ବୋଲୁଅଛ ମୋତେ ।
ଝାଡ଼ର ଭିତରେ ପକାଇ ଦେଇଣ,
ସେରନ୍ତା ପଣେ କହୁଛ କେତେ । ୯ ।
ନାମେ ଆତଜାତ ନରଦେହ କରି ।
ନାଶିଲା ନଟକୁ ଥୋଇଅଛ ।
ଲୀଳାରଙ୍ଗେ ମୋତେ ମାଡ଼ିଦେଇ କରି ଗୁପତରେ ସର୍ବ ଦେଖୁଅଛ ।
ନାରୀ ସଙ୍ଗତେ ଯେ ।
କରାଉଛ କଉତୁକ ଭାବ ।
ନାଶ କରିବାକୁ ଦୁର୍ଲ୍ଲଭ ଶରୀର,
କଳ୍ପନାକୁ କରିଅଛ ଆଗ । ୧୦।
ଟେକି ଟେକି କରି ମାତୃ ଗର୍ଭଗତୁ,
ଉଙ୍କୁରାଇ ଆଣି ଟିଆବେଳୁ ।
ଟେକି କଚଡ଼ାଇ ଦେଇ କରି ମୋତେ,
ବୋଲୁଅଛ ମନ୍ଦ କର୍ମ କଲୁ ।
ଟେଳା ପରାୟେ ଯେ ।
ବିଲର ଭିତରେ ଦେଇ ମାଡ଼ି,
ଟାଣ ସୋହତିରେ ଫିଙ୍ଗି ଦେଇ ।
ମୋତେ ବୋଲୁଅଛ ଭବେ ଗଲୁ ବୁଡ଼ି ।୧୧ ।
ଠକି ଆଣିଅଛ ଚାରିଯୁଗେ ମୋତେ,
ଠାକୁର ବୋଲାଇ ପ୍ରତକ୍ଷେ ।
ଠିକଣା ହେତୁ ସୁସତ୍ୟଭାଗ କଥା ।
ପ୍ରଚାରୁଛି କଳି କାଳଯୁଗେ ।
ଠାବ କରିଛି ଯେ,
ଗୁରୁଚରଣରେ ନାହିଁ ଚିତ୍ତ ।
ଠାବେ ରହି ମାୟା କରୁଅଛ ମୋତେ ।
ଠିକେ କହେ ଭୀମ ଅରକ୍ଷିତ । ୧୨ ।
ଡ଼ିଙ୍ଗର ଡଗରାମାନଙ୍କୁ ହେ ପ୍ରଭୁ ।
ଥୋଇଅଛ ଭଲ ଭଲ କରି ।
ଡୋଳା ଖଞ୍ଜି ଅଛ ଚାହିଁବା ନିମନ୍ତେ ଡକାଇ ନେଉଛି ଧରି ଧରି ।
ଡେଇଁ ଯାଉଛ ଯେ,
ଗୁରୁ ଦୁଆରକୁ ଭୟ ନାହିଁ ।
ଡାଳ ତଳେ ମୂଳ ଲୁଚାଇ ଦେଇଣ ବୋଲୁଅଛ ବାହ୍ୟ ଲୋଡ଼ଯାଇ । ୧୩ ।
ଢାଉରଙ୍ଗ କରି ରୂପମାନ,
ଲିହି ଢାଙ୍କୁଣି ଚର୍ମ ଲୋମ ।
ଢଳି ଯାଉଅଛି ପଞ୍ଚଭୂତ ଆତ୍ମା ।
ମାୟା ପଟଳରେ ହୋଇ ଭ୍ରମ ।
ଢୋକି ପିଉଛି ଯେ,
ମୋହେ ପଡ଼ି ମଦ ମାଏଁ ସବୁ ।
ଢମ ଚିତ୍ରପଟ ଥୋଇ ଦେଇ।
ଆଗେ ବୋଲୁଛ ହରୁଛୁ ଆୟୁଷକୁ । ୧୪ ।
ଅଣ ଆକାରେ ସର୍ଜନା କରିଅଛ ।
ଆଦି ଅନ୍ତ ନାହିଁ ଦେହ ଗୋଟା ।
ଅନାଇ ଦେଖିଲେ ଭିତର ।
ବାହାର ସର୍ବାଙ୍ଗ ଯାକ ଦଦରା ଫଟା ।
ଅଣନିତିରେ ଯେ,
ପ୍ରତିଦିନ କଲ ମନ୍ଦ ବୁଦ୍ଧି।
ଅଣ ଆୟତ୍ତରେ ମାଡ଼ି ଦେଇ ମୋତେ ବୋଲୁଅଛ ନ ଲଭିଲ ସିଦ୍ଧି । ୧୫ ।
ତ୍ରିଗୁଣରେ ଜାତ କରିଛ ଶରୀର ।
ତିନିପୁର ମଧ୍ୟେ ଦେଇ ଛାଡ଼ି ।
ତତ୍ତ୍ୱପଦ ଗୋଟି ଗୁପତେ ଲୁଚାଇ ବୋଲୁଛ ଅମଡ଼ା ଗଲୁ ମାଡ଼ି ।
ସ୍ତ୍ରୀ ସଙ୍ଗମ ଯେ,
ନ କରିବୁ ବାବୁ କଦାଚିତେ ।
ତପତ ଅନଳ ଦେହକୁ ତଇଳ ।
କରାଉଛ ସ୍ୱାମୀ ଅନୁବ୍ରତେ । ୧୬ ।
ଥଳେ ଥିବାବେଳେ ଥାବର ।
ପରାୟେ ଥୋଇଥିଲ ଅତି ଯତ୍ନ କରି ।
ସ୍ଥିତି ଦେଲ ମୋତେ ବ୍ରହ୍ମାଣ୍ଡରେ ।
ଆଣି ବୋଲୁଛ କରିଛୁ ହୁରି ଜୁରି ।
ଥାନ ଆବୋରି ଯେ,
ରହିଅଛ ତୁମ୍ଭେ ମନେମନ ।
ସ୍ଥିତି ବସାସକୁ ଭାଙ୍ଗି ଦେଇ କରି ବୋଲୁଅଛ ବୁଲ ଗ୍ରାମ ଗ୍ରାମ । ୧୭ ।
ଦରିଆ ଭିତରୁ ମୀନ ପ୍ରାୟ କରି ଦଉଡ଼ି ଲଗାଇ ଝିଙ୍କି ଆଣି ।
ଦଇବ କରତା ଅଟ ହେ ଆପଣ ।
କପାଳେ ଲେଖିଲ ଲାଭ ହାନି ।
ଦ୍ରୋହୀ ହେଉଛ ଯେ,
ଏଥିରେ କି ଦୋଷ ଅଛି ମୋର ।
ଦୁଇପାଦେ ମୋତେ ଉବୁରାଇ ।
ଆଣି ବୋଲୁଅଛ ଏକ ପାଦେ ଧର । ୧୮ ।
ଧରିଆଣି ମୋତେ ଧରିଣୀ ।
ମଣ୍ଡଳେ ନରଦେହେ ସ୍ୱାମୀ ଅଛ ରଖି ।
ଧରାଧରି ହୋନ୍ତେ ସ୍ନେହ ସୋହତିରେ ।
ବୋଲୁଅଛ ହୋଇଗଲ ପାପୀ ।
ଧର୍ମ ବୁଡ଼ାଇ ଯେ,
କରୁଅଛ ମନ୍ଦ କର୍ମମାନ ।
ଧାରଣା ଧ୍ୟାନକୁ ତୋଳିକରି ସ୍ୱାମୀ ମୋ ଉପରେ ଛିଡ଼ାଉଛ ଟାଣ । ୧୯ ।
ନରଦେହେ ସ୍ୱାମୀ ଜାତ କରିଅଛ ।
ନବଖଣ୍ଡ ମେଦିନୀରେ ମୋତେ ।
ନାରୀ ପୁରୁଷଙ୍କ ସଙ୍ଗତେ ବସିଲେ ।
ବୋଲୁଅଛ ନ ଛୁଇଁବି ତୋତେ ।
ନିନ୍ଦା ହେଉଛି ଯେ,
ଅଲେଖ ମହିମା ଧରମକୁ ।
ନାରୀ ପୁରୁଷରେ ବ୍ରହ୍ମାଣ୍ଡ ରଚିଲ ।
ଲଜ୍ୟା କି ନୋହୁଛି ଶ୍ରୀଛାମୁକୁ । ୨୦ ।
ପ୍ରକୃତି ରଚନା କରିଅଛ ଆଣି ।
ପାଣି ପବନକୁ କରି ଠୁଳ ।
ପିତା ହୋଇକରି ପୁତ୍ରର ବେଦନା ।
ନ ଜାଣୁଛ କି ଅନାଦିମୂଳ ।
ପାପ କରୁଛ ଯେ,
ବୋଲୁଛ ଦୁର୍ଲଭ ଦେହ ପାଇ ।
ପ୍ରେମ ପସରାକୁ ଯୋଗାଡ଼ି ମୋ ଅଙ୍ଗେ ।
ଆଦ୍ୟରୁତ ଦେଇଅଛ ଥୋଇ । ୨୧ ।
ଫୁକାବନ୍ଧ ପରେ ଫୁଲର ଉପରେ ।
ଫଳାଇଅଛ ମାତୃ ଗର୍ଭରେ ।
ଫଳାବୃତ୍ତି କରି ପିଣ୍ଡ ବ୍ରହ୍ମାଣ୍ଡରେ ।
ବାନ୍ଧି ଧରିଅଛ ବାମ କରେ ।
ଫୁଲା ପଣରେ ଯେ,
ଅଜ୍ଞାନରେ ନେଉଅଛି ଦିନ ।
ଫିଟାଇ କବାଟ କଞ୍ଚିକୋଲପରେ ଖଣ୍ଡ ହସ୍ତେ କରି ରଣ ଭଣ । ୨୨ ।
ବେଦମାର୍ଗେ ପ୍ରଭୁ ଜାତ କରିଅଛ ।
ବିଧିରେ କରାଇ ଏ ଜଗତେ ।
ବହୁତ ବିଷୟ ଧନ୍ଦାରେ ପକାଇ ।
ଭ୍ରମିଗଲା ବୋଲୁଅଛ ମୋତେ ।
ବିଧି ହରାଇ ଯେ,
ପ୍ରଚାର ହେଉଛ ଅଜ୍ଞାନରେ ।
ବହୁରୂପୀ ମାୟା ଖଞ୍ଜି ଦେଇକରି ।
ଛାଡ଼ିଅଛ ସ୍ୱାମୀ ଏ ସଂସାରେ।୨୩ ।
ଭବଦ୍ୱୀପ ବାଟେ ଆଣିଅଛ ମୋତେ ।
ଭାରି ପ୍ରକୃତିରେ ପହଁରାଇ ।
ଭାର କରିଅଛ ପଚିଶ ପ୍ରକୃତି ।
ବୋଲୁଅଛ ଅଙ୍ଗେ ଥାଅ ବହି ।
ଭୟ ତୋହର ଯେ,
ଆଗକୁ ପଛକୁ ନାହିଁ କିଛି ।
ଭୂତ ଭବିଷ୍ୟକୁ ଥୋଇଛ ଶରୀରେ,
ଭୀମ ଅରକ୍ଷିତ କହୁଅଛି । ୨୪ ।
ମାୟାମୋହ ଜାଲେ ପକାଇ ରଖିଛ ।
ବନ୍ଧନ କରାଇ ଯନ୍ତ୍ରିତରେ ।
ମହିମଣ୍ଡଳରେ ଯାହାଙ୍କୁ ଦେଖୁଛି,
ମାୟା ଲାଗିଅଛି ତାହାଠାରେ ।
ମିଥ୍ୟା କଥାକୁ ଯେ,
ବୋଲୁଅଛ ନ ପାରୁଛ ଛାଡ଼ି ।
ମାୟାରୂପ ମୋହିନୀରେ ।
ଏ ବ୍ରହ୍ମାଣ୍ଡ ଚାରିଯୁଗେ ଯାଉଅଛି ବୁଡ଼ି । ୨୫ ।
ଜଳ ପବନକୁ ଯୋନିରେ ଯୋଗାଡ଼ି,
ଆଉଟାଇ ରଜବୀଜ ମୁଣ୍ଡ ।
ଜଳକବାଟିର ଶକତି ପରାୟ ।
ଅନ୍ୟନ୍ତ୍ରରେ ଜାତ ନୁହେ ପିଣ୍ଡ ।
ଯୁଇ ଜଳୁଛି ଯେ, ବୋଲୁଅଛ ପ୍ରଭୁ ନାହିଁ ଯଶ ।
ଯାବତ ପ୍ରକୃତି ରଚନା କରାଇ ।
ଗଳାରେ ଲଗାଇ ଅଛ ଫାଶ । ୨୬ ।
ରେତ ରଜରେ ଶରୀର କରିଅଛ,
ରାଗ ଅହଂକାର ହୃଦେ ଭରି ।
ରକତ ମାଏଁସ ପୂରି ରହିଅଛି ।
ସ୍ୱହସ୍ତରେ ସ୍ୱାମୀ ଦେଖ ଖରି ।
ରଜ ତାମସ ଯେ,
ରମିବୁ ନାହିଁ ଯେ ସ୍ତିରୀ ସଙ୍ଗ ।
ପିଣ୍ଡରେ ପରମପୁରୁଷକୁ ଥୋଇ ।
ଜୀବକୁ କରି ଦେଇଛ ସଙ୍ଗ । ୨୭ ।
ଲୋଭ ଲାଳସାକୁ ହୋଇଛ ଶରୀରେ,
ଲଗାଇ ଆଣିଛ ଲତା ପ୍ରାୟେ ।
ଲବଣୀ ବ୍ରହ୍ମ ଭାଣ୍ଡରେ ଡାଙ୍ଗ ଭରି ।
ତପତ କରାଉଅଛ କାୟେ ।
ଲଙ୍ଘି ଯାଉଛ ଯେ,
ବୋଲୁଅଛ ଏଡ଼େ ଧରମକୁ ।
ଲାଭମୁକ୍ତିପଦ ଗୁପତେ ଲୁଚାଇ ।
ଫେଡ଼ି ଦେଖାଉଛ କରମକୁ । ୨୮ ।
ବ୍ରହ୍ମାଣ୍ଡ ଫିଟାଇ ବାହାର କରାଇ,
ଅର୍ଗଳି ସନ୍ଧିରେ ଗଳି ଆସ ।
ବାରାନିଧି ଯେହୁ ବିଷମ ଅର୍ଗଳି,
ବୋଲୁଛ ନ ଯିବୁ ତାର ପାଶ ।
ବାଟ ଫିଟାଇ ଯେ,
ବାରଅଙ୍ଗୁଳିରେ ଆଣି ମୋତେ ।
ବିଷ୍ଣୁ କୂଟ ମାୟା ରଞ୍ଚି ଦେଇକରି ।
ବ୍ରହ୍ମଜ୍ଞାନ ବତାଉଛ କେତେ । ୨୯ ।
ଶୂନ୍ୟମଣ୍ଡଳରୁ ଶବଦ ବ୍ରହ୍ମରୁ ।
ସୂତ୍ରରେ ଆଣିଛ ମୂତ୍ରଦ୍ୱାରେ।
ଶୋଇବୁ ନାହିଁ ସ୍ତିରୀସଙ୍ଗେ ବୋଲୁଛୁ ।
ଜଳିଯିବୁ ତାଙ୍କ ନିଃଶ୍ୱାସରେ ।
ଶାଖାସୋଦର ଯେ,
ବିଶ୍ୱାସ କରିଛ ନିରନ୍ତର ।
କୁମ୍ଭତଳେ କୁମ୍ଭୀ ନରକକୁ ଥୋଇ ବୋଲୁଅଛ ତାକୁ ହେତୁ କର । ୩୦ ।
ସରୋବର ବାଟେ ଆଣିଅଛ ମୋତେ ଶୋଣିତ ବହୁଛି ଝର ଝର ।
ସର୍ବାଙ୍ଗରେ ତିନ୍ତି ଯାଉଛି ଶରୀର,
ବଢ଼ିଯାଉଛି କମଳ ଶିର ।
ସବୁ ନାଶିଲ ଯେ,
ପକାଉଛ ଏବେ ନ ବିଚାରି ।
ସଙ୍ଗମୁଁ ବିପଦ ଖଞ୍ଜି ଦେଇକରି ।
ବୋଲୁଅଛ ହୁଅ ବ୍ରହ୍ମଚାରୀ । ୩୧ ।
ସୁଜ୍ଞାନଭାବରେ ଆଣି ଏ ଜୀବକୁ ସାଗରେ ପକାଇ ବିନ୍ଦୁରୂପେ ।
ଶକତି ଲିଙ୍ଗରେ ସମ ଯୁକ୍ତ କରି ମାତାପଦ୍ମେ ଢ଼ାଳିଦେଲେ ଥୋକେ ।
ସାରି ଦେଇଛ ଯେ ।
ଦୁର୍ଲ୍ଲଭ ଶରୀର ଗୋଟାସାର ।
ସୁରତି ରସରେ ମତାଇ ଜୀବକୁ ମାୟାରେ ଖଣ୍ଡିଛ ତିନିପୁର । ୩୨ ।
ହୃଦପଦ୍ମ ତଳେ ମୂର୍ତ୍ତିବନ୍ତ ହୋଇ ଗଢ଼ି ପକାଇଲ ହସ୍ତଭରି ।
ହଉତ ପତିରେ ଝସାଇ ଦେଇଣ ବୋଲୁଅଛ ଏବେ ଗଲୁସରି।
ହନି କଥାକୁ ଯେ ।
ହିତ କରିଅଛ ଜାଣୁ ଜାଣୁ ।
ହତ ହେଲାବାଟେ ଆଣିଅଛ ମୋତେ ପତାମାତଯୁକ୍ତ ହେଲାଦିନୁ ।୩୩।
କ୍ଷମାଦି ସାଗର ପୁରୁଷ ବୋଲି ମୁଁ ଜଣାଣ କରୁଛି କଥାମାନ ।
କ୍ଷିର୍ଣ୍ଣରୂପ ଧରି ବିଜେ କରିଅଛ ସାକ୍ଷାତେ କରତା ଶୂନ୍ୟବ୍ରହ୍ମ ।
କ୍ଷିତି ମଣ୍ଡଳେ ଯେ ।
ଅନୁସରି ଗୁରୁ ପାଦବିନ୍ଦ ।
ଖଣ୍ଡନ କର ମୋ ଦୋଷ ଅପରାଧ ଭଣେ ଭୀମ ଅରକ୍ଷିତ କନ୍ଧ । ୩୪ ।
ଖତମ ହେଉଛି ଏକୋଇଶ ପୁର ଧାଇଁଆସି ଧର ଗୁରୁଦେବ ।
ଖଣାରସାତଳେ ପଡ଼ୁଅଛି ପୃଥ୍ୱୀ ଉଦ୍ଧରି ଲଗାଅ ଧର୍ମନାବ ।
କ୍ଷମା ସାଗର ହେ ।
କାହାରିତ କିଛିଯିବ ନାହିଁ ।
ତୁମ୍ଭ ପୃଥ୍ୱୀଭାର ତୁମ୍ଭେ ନ ଖଣ୍ଡିଲେ ପଡ଼ିବ ରସାତଳରେ ଯାଇ । ୧ ।
ହତ ହେଉଅଛି ବ୍ରହ୍ମାଣ୍ଡର ଶିରୀ ଅଧର୍ମରେ ଛିନି ଛତ୍ର ହୋଇ ।
ହରିନେଉ ଅଛି ପାପ କଳିଯୁଗ ଭଲ ପ୍ରାଏ ମୋତେ ଦିଶୁନାହିଁ ।
ହିତ କରତା ହେ ।
କରିଅଛ ଯେବେ ବ୍ରହ୍ମାଣ୍ଡକୁ ।
ପତ୍ରପ୍ରାୟ କରି ଉଡ଼ାଇ ନେଉଛି ଏ ମୋ ବେନି ନେତ୍ରେ ଦେଖୁ ଦେଖୁ । ୨ ।
ସମାପତ ମାଡ଼ି ଗଲାଣି ବ୍ରହ୍ମାଣ୍ଡେ ଲହଡ଼ି ମାରୁଛି ଜଳ ପ୍ରାଏ ।
ସମିଗଲାଣି ନାସା କର୍ଣ୍ଣେ ପାତେକ ସବୁ ଆଡ଼େ ଏକକାରମୟେ ।
ଶୂନ୍ୟ ପୁରୁଷ ହେ ।
ଅନ୍ତର୍ଯ୍ୟାମୀ ଗୁରୁ ଅଛ ଯେବେ ।
ସହିବାକୁ ପୃଥ୍ୱୀଭାରା ହେଉଅଛି ଯୁଗ ଜାଣି ଉଦେ ହୁଅ ବେଗେ । ୩ ।
ସପତ ସାଗର ନବଦୀପ ମହୀ ଏକାବେଳେ ଯାଉଅଛି ବୁଡ଼ି ।
ନିତ୍ୟନାଶ ହୋଇଗଲା ଏ ବ୍ରହ୍ମାଣ୍ଡ ଆକାଶୁ ପଡ଼ୁଛି ଘଡ଼ଘଡ଼ି ।
ସତ୍ୟ ଧର୍ମରେ ହେ ।
ତିନିପୁର ମହୀ ତୋଳି ଧର ।
ନିନ୍ଦା ହାନି ଲାଭ ପଛକୁ ପକାଇ ଏତେ ବେଳେ ସ୍ୱାମୀ ବିଜେକର । ୪ ।
ସୁର ନରି ୠଷି ଗନ୍ଧର୍ବମାନଙ୍କୁ କାହାକୁ ଏ ଧର୍ମ ଜଣା ନାହିଁ ।
ଶରଣ ସମ୍ଭାଳି ବାନାରେ ଘୋଡ଼ାଅ ଅଭୟଚରଣ ତଳେ ନେଇ ।
ସରି ଗଲେଣି ହେ ।
ମାରି ପକାଉଛି କଳିଯୁଗ ।
ବ୍ରହ୍ମାଣ୍ଡର ଦୋଷ କ୍ଷମାକର ସ୍ୱାମୀ ସୁଦୟା ଚିତ୍ତରେ ଆସ ବେଗ । ୫ ।
ବିଷମ ହେଲାଣି କଳି ଯୁଗେ ପୃଥ୍ୱୀ ଉଲୁକାପାତରେ ଛନ୍ନ ଛନ୍ନ ।
ବୀରବର ରୂପ ପରକାଶ କରି ନିଜରୂପ ଧର ନାରାୟଣ ।
ବେଳୁଁ ବେଳକୁ ହେ ।
ପଡ଼ିଗଲା ଆସି ମହାଦଣ୍ଡ ।
ଦଧିଭାଣ୍ଡରୁ ଲବଣୀ ଯେହ୍ନେ କାଢ଼ି, ସେପରି ଉଦ୍ଧାର ଏ ବ୍ରହ୍ମାଣ୍ଡ । ୬ ।
ଲାଗି ରହିଲାଗି ପିଣ୍ଡ ବ୍ରହ୍ମାଣ୍ଡରେ ସତେ ପୁର ହୋଇ ମିଛ ମାୟା ।
ଲୋପ୍ୟ ହୋଇଲାଣି ଚନ୍ଦ୍ର ସୂର୍ଯ୍ୟ ତେଜ ଘୋଟି ଅଛି ତ୍ରିୟମ୍ବରି ଛାୟା ।
ଲଙ୍ଘି ଯାଉଛ ହେ ।
ସକଳ ସମ୍ପତ୍ତି ସଙ୍ଗେ ଧରି ।
ବାଉନ କୋଟି ଭଣ୍ଡାର ତୁଚ୍ଛ କରି ନେଉଅଛି ହରି ଜୂରିକରି । ୭ ।
ରଖ କଳିଯୁଗ ହସ୍ତରୁ ଛଡ଼ାଇ ତ୍ରିପୁରକୁ ହେଲେ ତିନିବାର ।
ରବିତଳେ ଯେତେ ପ୍ରାଣୀ ବଞ୍ଚିଥିବେ ଖାଇ ଦୁର୍ଭିକ୍ଷରୁ ହେବେ ପାର।
ରସା ମେଦିନୀ ହେ ।
ରଡ଼ି ଛାଡ଼ୁଅଛି ଘନ ଘନ ।
କଳିଯୁଗେ ପୃଥ୍ୱୀ ରସାତଳ ହେବ ନ ଆସିବ ଶୂନ୍ୟବ୍ରହ୍ମ । ୮ ।
ଜଗତ ଭଗତ ମହତ ସରିଲା କଣ୍ଠେ ଲାଗିଲାଣି କାଳ ଫାଶ ।
ଭକତ କରତା ବିଳମ୍ବ ନ କରି ସମୟକୁ ଚାହିଁ ବେଗେ ଆସ ।
ଯେତେ ବିପତ୍ତି ହେ ।
ପଡ଼ିଲାଣି ଆସି ବ୍ରହ୍ମାଣ୍ତରେ ।
ଅଧିକାର ପ୍ରଭୁ କିସ ମୁଁ କହିବି ଡାକୁଅଛି ପରା ବିକଳରେ । ୯।
ମୋହ ହେଲେଣି ଚଉଦ ଭୁବନ ସର୍ବେ ହୋଇଲେଣି ହତ ଚେତା ।
ମହିମା ସାଗର ସ୍ୱାମୀ ନ ରଖିଲେ କେଉଁଜନ ରଖେ ସାମରଥା ।
ମହୀ ମଣ୍ତଳେ ହେ ।
ପଡ଼ିଗଲା ଆସି ମହାଘାତ ।
ମହାଭାରା ପାଇ ପୃଥ୍ୱୀ କମ୍ପୁ ଅଛି କହୁଅଛି ଭୀମ ଅରକ୍ଷିତ । ୧୦।
ଭାରଦା ପରାଏ କରି କଳିଯୁଗ ଅନ୍ୟାୟେ କଲାଣି ବ୍ରହ୍ମାଣ୍ତକୁ ।
ଭାସି ଯାଉଅଛି ନବଖଣ୍ତ ମହୀ ବେନି ନୟନରେ ଦେଖୁ ଦେଖୁ ।
ଭାରତ ପୁରେ ହେ ।
ନିରନ୍ତରେ ସ୍ୱାମୀ ଡାକୁଅଛି ।
ଆପେ ବିଜେ କରି ଦେଖି ଆସି ସ୍ୱାମୀ ସତ୍ୟଧର୍ମ ଡ଼ୁବି ଯାଉଅଛି ।୧୧।
ବଣା ହେଲେଣି ଏ ତିନିପୁର ଜନେ ଘୋର କଳିକାଳ ଯୁଗ ଲାଗି ।
ବଳାକୃତ କରି ଏ କଳି ପୁରୁଷ ସତ୍ୟଧର୍ମ ଦେଉଅଛି ଫିଙ୍ଗି ।
ବିଜେ ନକଲେହେ ।
କ୍ଷଣେ ନରହିବେ ତିନିପୁରେ ।
ବଡ଼ସାନ କେହି କାହାକୁ ନ ମାନି ଅନର୍ଥ ହେଲେଣି ଘରେ ଘରେ । ୧୨।
ଫାନ୍ଦ ଫାଶ ଦଶା ପଡ଼ିଲାଣି ଆସି ପିଣ୍ତ ବ୍ରହ୍ମାଣ୍ତକୁ ଏକାବେଳେ ଫିଙ୍ଗିଣ
ସତ୍ୟଧର୍ମକୁ କଳିଯୁଗ ଜିଣି ଯାଉଅଛି ପାପବଳେ।
ଫେଡ଼ ସଙ୍କଟ ହେ ।
ଘୋଟିଲାଣି ଆସି ମହାରାହୁ ।
ଅକାଳ ତିମିର ଘୋଟି ଯାଉଅଛି ଦିଅ ଆଜ୍ଞା ଜମ୍ୱୁଦୀପ ରହୁ ।୧୩।
ପ୍ରଳୟ ହେଲାଣି ନବଖଣ୍ତ ମହୀ ପାତକ ସାଗର ଜଳ ମଧ୍ୟେ ।
ପୂର୍ଣ୍ଣାନନ୍ଦ ସ୍ୱାମୀ କିସ ଦେଖୁଅଛ ଶ୍ରୀ ଛାମୁରୁ ଆଜ୍ଞା ହେଉ ପଦେ ।
ଗଡ଼ି ଗଲେଣି ହେ ।
ଦେବ ବ୍ରହ୍ମଋଷି ବୁଦ୍ଧଜନ ।
ଆଚେତା କଲାଣି ଘୋର କଳିଯୁଗ କାହାରି ହୃଦରେ ନାହିଁ ଜ୍ଞାନ । ୧୪ ।
ନିତିପ୍ରତି ଶିର ପ୍ରହାର କରୁଛି ସ୍ୱର୍ଗ ମର୍ତ୍ତ୍ୟ ତିନି ଭୁବନକୁ ।
ନିସତ ନ ହୁଅ ଅନାଦି ପୁରୁଷ ଚାପି ଆସୁଅଛି ଦେଖୁ ଦେଖୁ ।
ନିନ୍ଦା ହୋଇବ ହେ ।
ଧରତୀ ଆକାଶ ଦିଗ ମୁଖେ ।
ଧର୍ମ ଉଦେ କରି ନାଶ ଗଲା ପୃଥ୍ୱୀ ନ ରଖିଲେ ସ୍ୱାମୀ ବ୍ରହ୍ମକଲ୍ପେ ।୧୫।
ଧରା ଧରି ହୋଇ ବୁଡ଼ି ମରୁଛନ୍ତି ଦେଉଛନ୍ତି କିଳିକିଳା ରାବ ।
ଧରଣୀ ମଣ୍ତଳ ଭାସି ଯାଉଅଛି ରଖିବାକୁ କାହିଁ ନାହିଁ ଠାବ ।
ଧର୍ମ ପୁରୁଷ ହେ।
ଚାହିଁ ଦେଖ ଥରେ ବ୍ରହ୍ମାଣ୍ତକୁ ।
ଏକା ଗାତେ ସର୍ବେ ଝସାଇ ହେଲେଣି କାହାରି ଅଙ୍ଗରେ ନାହିଁ ବୟ । ୧୬।
ଦୁଲୁକି ଯାଉଛି ନବଖଣ୍ତ ମହୀ ବିକରାଳେ ଦେଉଅଛି ରଡ଼ି ।
ଦ୍ୱନ୍ଦ ଦୁରୁଭିକ୍ଷ ଏକାବେଳେ ପଡ଼ିବ, ଆକାଶୁ ପଡ଼ୁଛି ଘଡ଼ି ଘଡ଼ି ।
ଦିନ ଦିନକୁ ହେ ହୋଇଲାଣି ପୃଥ୍ୱୀ ରଣଭଣ ।
ପ୍ରଭୁଙ୍କ ବ୍ରହ୍ମାଣ୍ତ ପ୍ରଭୁ ନ ରଖିଲେ କାହାରି ନାହିଁ ନା ପରିତ୍ରାଣ ।୧୭।
ଥଳ ଜଳ ସବୁ ହାନ୍ଦୋଳି ପକାଇ ଫେରୁଅଛି ଚକ୍ର ଅଣଚାଷ ।
ଥବାଇ ରଖ ବ୍ରହ୍ମାଣ୍ତ ପ୍ରଳୟରୁ ଅନାଦି ପୁରୁଷ ଶୂନ୍ୟବାସ ।
ଥରି ଯାଉଛି ହେ ।
ଭାରାପାଇ ନବଖଣ୍ତ ମହୀ ।
କଳିଯୁଗେ ପାପଭାରା ହେଉଅଛି ପେଲି ପକାଉଛି ଯେହ୍ନେ ଦହି ।୧୮।
ତିନି ଭୁବନ ମାୟା ମୋହ ଜାଲେ ଢ଼ାଙ୍କି ପକାଇଲା ନିରନ୍ତର ।
ତିନି ତ୍ରୈଲୋକ୍ୟର କରତା ଯେମନ୍ତେ ଅବନା ମନ୍ଦିରୁ ବିଜେ କର ।
ତରନାହିଁ ନା ହେ ।
ଘୋଟିଲାଣି ଆସି କାଳ ମୟେ ।
ଛପାକୋଟି ଜୀବ ଭାସି ଯାଉଛନ୍ତି ରଖିବାକୁ ଜଣେ ନାହିଁ କିଏ । ୧୯।
ଆଣି ଏତେ ସରି କଲା କଳିଯୁଗେ ଚାରିଦିଗେ ଉଠିଲାଣି ଯୁଇ ।
ଅନାଦି ପୁରୁଷ ଅନ୍ତରେ ବିଚାରି ରଖ ଏବେ ନବଖଣ୍ତ ମହୀ ।
ଅନାଅନିରେ ହେ ।
ଘୋଟିଲାଣି ଆସି ପୁର ତିନି ।
କାହାର ହୃଦରେ ବିବେକ ନାହିଁ ନା ଅଜ୍ଞାନ ହେଲେଣି ଋଷି ମୁନି । ୨୦।
ଢ଼ୋକାଇଲାଣି ଏକ ଘରେ ସବୁଙ୍କୁ ତ୍ରିଗୁଣ ରଜୁରେ ବାନ୍ଧି କରି ।
ଢ଼ାକୁଣି କବାଟ ଦେଇ ନିରନ୍ତରେ ମାଡ଼ ମାରୁଅଛି ଛାଟ ଧରି ।
ଢ଼େଉ ପସର ହେ ।
ଭାସି ଯାଉଛନ୍ତି ଅକାରଣେ ।
କାହାର ହୃଦରେ ଜ୍ଞାନ ପଶୁ ନାହିଁ ଧନ୍ଦି ହେଉଛନ୍ତି ଭବବଣେ । ୨୧।
ଡାକି ଡାକି ପ୍ରଭୁ କଣ୍ଠ ଶୁଖିଗଲା ଶୁଭୁଛି କି ନାହିଁ ମୋ ଗୁହାରି ।
ଡେଙ୍ଗା ଜଗତିରୁ ଓହ୍ଲାଇ ଆପଣ ଥୟ କରି ରଖ ବସୁନ୍ଧରୀ ।
ଡ଼ରମାଡ଼ୁଛି ହେ ।
ଯେଣୁ ମୋର ସାହା ଶାଖା ନାହିଁ ।
ଭଣେ ଭୀମ ହୀନ ପାମର ଅଜ୍ଞାନ ପ୍ରଭୁ ଆସିବାକୁ ଅଛି ଚାହିଁ ।୨୨।
ଠକି ଆଣିଲାଣି ପାପ କଳିଯୁଗ ସବୁରି ଗଳାରେ କାଳଶର ।
ଠିକଣା ନାହିଁ କର୍ମ ଧର୍ମ କାହାର ସମସ୍ତେ ହେଲେଣି ଅନ୍ୟାଚାର।
ଠେଲା ମାରୁଛି ହେ ।
ଅକୂଳ ସାଗର ସିନ୍ଧୁ ପାଣି ।
ଚଉଦିଗ ଚାପି ଘୋଟି ଆସୁଅଛି ଶୁଭୁଅଛି ଘୁ ଘୁ ନାଦ ଧ୍ୱନି ।୨୩।
ଟଳି ଯାଉଛନ୍ତି ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଚାରିଖାନି ।
ଟାଣ ଶୂନ୍ୟ ବାନା ଗୁରୁ ଅଛ ଯେବେ ଭବ ସାଗରରୁ ରଖ ଛାଣି ।
ଟିଆ କଣ୍ଟକୁ ହେ ।
ପହଞ୍ଚିଲା ଆସି କାଳବେଳ ।
ହେଳାକଲେ ଭେଳା ବୁଡ଼ୁଅଛି ନାଶ ହେଉଛି ମହୀ ମଣ୍ତଳ । ୨୪।
ନିଶି ଅନ୍ଧାର ଘୋଟିଲା ବ୍ରହ୍ମାଣ୍ତକୁ ଅଦ୍ଭୁତ ତିମିର କାଳ ରାହୁ ।
ନାରାୟଣ ସ୍ୱାମୀ ନିବାର ଏହାକୁ ଜଗତଯାକ ଆଲୋକ ହେଉ ।
ନର ମନୁଷ୍ୟ ହେ ।
କେମନ୍ତେ ବଞ୍ଚିବେ କଳିକାଳେ ।
ପ୍ରଳୟରେ ସର୍ବେ ଭାସି ଯାଉଛନ୍ତି ଚାହୁଁ ଚାହୁଁ ପ୍ରଭୁ ବେନି ଡ଼ୋଳେ । ୨୫।
ଝାଡ଼ ପର୍ବତ ବନ ଗ୍ରାମମାନକୁ ଯେଣିକି ଚାହିଁଲେ ଅନ୍ଧକାର ।
ଝଟତିରେ ସ୍ୱାମୀ ପରକାଶ ହୁଅ ଜଗତ ଭଗତ ତ୍ରାହି କର ଝିଙ୍କି ପକାଇ ହେ ।
ରୁନ୍ଧିଲାଣି ତିନି ଭୁବନକୁ ।
ଉବୁରିଯିବାକୁ କାହିଁ ବାଟ ନାହିଁ ଆବୋରିଛି ଚଉଦୀପାନ୍ତକୁ ।୨୬।
ଜ୍ୟୋତିର୍ମ୍ମୟ ହୋଇଲାଣି ଏ ବ୍ରହ୍ମାଣ୍ତ ଏଥର ସମ୍ଭାଳ ଶୂନ୍ୟବାସୀ ।
ଯୁଗ କଳିକାଳ ପ୍ରବେଶ ହେଲାଣି ସମସ୍ତଙ୍କୁ ପକାଉଛି ଗ୍ରାସି ।
ଜନ ପରଜା ହେ ।
ଭାସି ଯାଉଛନ୍ତି ଅକାରଣେ ।
କାହାରି ହୃଦରେ ଜ୍ଞାନ ପଶୁ ନାହିଁ ଧନ୍ଦି ହେଇଛନ୍ତି ଭବବଣେ ।୨୭।
ଛପନକୋଟି ଜୀବଙ୍କୁ ଏକାବେଳେ ଚଳୁଏ କରିବି ବୋଲୁଅଛି ।
ଛଡ଼ ବେଦବାସୀ ସୁଦୟା ହୋଇଲେ ଏତେବେଳେ ସବୁ କଥା ଅଛି ।
ଛତ୍ର ପରାୟ ହେ ।
ପୟର ବିସ୍ତାରି ମେଦିନୀରେ ।
କାଳକୁ ନିବାରି ବ୍ରହ୍ମାଣ୍ତ ଉଦ୍ଧାରି ରଖ ରଖ ତୁମ୍ଭ ସୁଦୟାରେ । ୨୮।
ଚଉଦିଗ ଚାପି ମାଡ଼ି ଆସୁଅଛି ତିମିର କୁହୁଡ଼ିମୟ ଧୂମ ।
ଚିଦାନନ୍ଦ ସ୍ୱାମୀ କିସ ଦେଖୁଅଛ ସାକ୍ଷାତରେ ଏହୁ କାଳଯମ ।
ଚାଲି ଯାଉଛି ହେ ।
ରୂପ ତାର ଭୟଙ୍କର ମୂର୍ତ୍ତି ।
ବଳିୟାର ହୋଇ ଶରୀର ବିସ୍ତାରି ପୁରି ରହିଲାଣି ନବ କ୍ଷିତ । ୨୯।
ଅଣ୍ଟି ଗଲାଣି ବ୍ରହ୍ମାଣ୍ତକୁ ବିପତ୍ତି ସୁଦାୟାରେ ସ୍ୱାମୀ କ୍ଷମାକର ।
ଏତିକି ହୋଇ ଥାଉ ଭାରା ରକ୍ଷଣ କରୁଅଛି ପରା ଅଣାକାର ।
ଅନ୍ନ କଷ୍ଟରେ ହେ ।
ମରି ଯାଉଛନ୍ତି ଜନ ପ୍ରଜା।
ସବୁଙ୍କରି କର୍ମ ଧର୍ମ କାଟି କରି ଆପେ ପରା ହୋଇଅଛ ରାଜା ।୩୦।
ଘୋର ଦୋଷ ପାପ କଲେ ଯେଉଁ ନରେ ବେଗେ ଦିଅ ତାଙ୍କ ଗଲେ ଛୁରି ।
ଘୁଞ୍ଚି ପଳାଉଛ ପଛକୁ କାହିଁକି ବ୍ରହ୍ମାଣ୍ତକୁ ସ୍ୱାମୀ ଡ଼ରି କରି ।
ଘୋର କଳିରେ ହେ ।
ନିଷ୍କାମ ଧର୍ମକୁ ଉଦେକରି ।
ଅସମ୍ଭାଳ ଯହୁଁ ହେଲା କଳିଯୁଗ ଘୁଞ୍ଚି ପଳାଉଚ ଡ଼ରି ଡ଼ରି । ୩୧।
ଗୁରୁ ହୋଇ କରି ଦୋଷ ଅପରାଧ କଲୁ ଯେବେ ଆମ୍ଭେ ନ ବୁଝିବ ।
ଗାଡ଼ର ଭିତରେ ପଡ଼ିଛୁ ସମସ୍ତେ କେମନ୍ତେ ଏଥିରୁ ନ ତାରିବ ।
ଗାଳି ଗର୍ବକୁ ହେ ।
ମାନ ଛଳ କିଛି ଧର ନାହିଁ ।
ମୁକତି ପସରା ଆବୋରି ଆପଣ ଯେଣୁ ପରା ବସିଅଛ ରହି । ୩୨।
କ୍ଷିର ସିନ୍ଧୁବାସୀ ଗୁରୁ ଅଛ ଯେବେ ଛେଦ କଳିଯୁଗ ଛାଡ଼ି ଯାଉ ।
ଖୋଜୁ ଥାଇ କୀଟ ଶବର ଯେସନେ ସେହିମତି ଅଟେ କାଳ ରାହୁ ।
କ୍ଷିତି ମଣ୍ତଳରେ ହେ ।
ଚାହିଁ ଦେଲେ ହେବ ନିରିମଳ ।
ଅଲେଖ ମହିମା ଦୀକ୍ଷା ନେବେ ସର୍ବେ ନାମ ଯେମନ୍ତେ ଅନାଦି ମୂଳ । ୩୩ ।
କରତା ବୋଲାଇ ଅଛ ଯେବେ ପାତକ ଯାହାର ପୁଣ୍ୟ ତାର ।
ଭଣେ ଭୀମ ହୀନ ପାମର ଅଜ୍ଞାନ ପ୍ରଭୁ ଯେବେ ନୁହ ଅପସର ।
ଘୋର କଳିରେ ହେ ।
ତିନିପୁର ମଧ୍ୟେ ନିନ୍ଦା ହେଉ ।
ଧର୍ମ ଉଦେ କରି ନାଶ ଗଲା ପୃଥ୍ୱୀ ଯୁଗେ ଯୁଗେ କୀର୍ତ୍ତି ରହିଥାଉ ।୩୪।
କଳିଯୁଗ ଶେଷ ହେଉଅଛି ଆସି,
କରୁଣା କେତେ ବେଳକୁ ।
କଣ୍ଟକରି ମୋତେ କହିଥିଲ ସ୍ୱାମୀ
କାରୁଣ୍ୟ ଅବତାରକୁ ହେ ପିତା !
କର ଯୋଡ଼ି କରି ପ୍ରଳମ୍ବିତା ।
କଲବଲେ ପାଉଅଛି ବ୍ୟଥା ।
କାକୁସ୍ତରେ ବୁଡ଼ୁଅଛି ଚେତା ।
କିମ୍ପା ନ କରୁଛ ମନେ ଚିନ୍ତା ।
କିସ କର୍ମେ ଲେଖିଛି ବିଧାତା ।
କାଷ୍ଠା କରି ହୋଇଲିଣି ବୃଥା ହେ ।୧।
କ୍ଷିତି ମଧ୍ୟେ କ୍ଷିନ୍ନ ରୂପ ଧରିଅଛି ଖଳ ।
ନିବାରିବା ପାଇଁ ।
ଅଖିଳ ବ୍ରହ୍ମାଣ୍ତକାରୀ ଖଣ୍ତ ଖଣ୍ତ ଖଣ୍ତ ।
ହସ୍ତେ ଧରି ମୁହିଁରେ ସୁତ !
କ୍ଷୟ ହେଉ ତ୍ରିପୁର ଜଗତ ।
ଖୁଣ୍ଟ ଦୁର୍ଜନ ହୁଅନ୍ତୁ ହତ ।
ଖେଳ ସରିଲେ କରିବି ସ୍ଥିତ ।
କ୍ଷଣେ ସମ୍ଭାଳ ଗତ ଆଗତ ।
ଖାଦ୍ୟ ଅଖାଦ୍ୟେ ଦିନ ବଞ୍ଚୁତ ।
କ୍ଷମା କରିବ ଦୁଃଖ ଦୁରିତ । ୨।
ଗତ କଥା ଶୁଣି ଗର୍ଭ ପୋଡ଼ୁ ଅଛି ।
ଗୁଣି ହେଜି ଦିନ ରାତି ।
ଗରବିତା ପଣେ ଗର୍ଜି ହେଉଛନ୍ତି ।
ଗାରିମା ପଣରେ ମାତି ହେ ଗୁରୁ !
ଗତି ନ ବିଚାରି ଏ ମନରୁ ।
ଜ୍ଞାନ ଉଦେ ନକଲେ ହୃଦରୁ !
ଗୋଷ୍ଠୀ ଛାଡ଼ିଲେ ସାଧୁ ସଙ୍ଗରୁ ।
ଗୁରୁ ମାନ୍ୟ ବୁଡ଼ିଲା ସଂସାରୁ ।
ଗାଦି ତୋଳିଛ ଶୂନ୍ୟ ମନ୍ଦିରୁ ।
ଗତି ଦେବାକୁ ଭବ ସାଗରୁ ।୩।
ଘୋର ଘଡ଼ଘଡ଼ି ଜଗତେ ଶୁଭିବ ।
ଘର ଦ୍ୱାର ଦେବେ ଛାଡ଼ି ।
ଘେନିଣ ଭକତ ଘୋଡ଼ାଇ ରଖିବି ।
ଏକାମ୍ରବନେ ମାଡ଼ିରେ ଶିଷ୍ୟ !
ଘନ ଘୋଟିବ ଶୂନ୍ୟ ଆକାଶ ।
ଘଡ଼ିକରେ ପୃଥ୍ୱୀ ହେବ ନାଶ ।
ଘାତ ପଡ଼ିଯିବ ଦଶଦିଶ ।
ଘାଏ ଘୁମାଇବେ ନର ବଂଶ ।
ଘାଉ ପାଇ ସର୍ବେ ଯିବେ ନାଶ ।
ଘାରି ହୋଇ ତୁ ନୁହ ବିବଶ ।୪।
ଅନୁସରି ଅଛି ଆଶ୍ରିତ ପଥକୁ ।
ଅନ୍ୟ ସେବା ନ ଯୋଗାଇ ।
ଆଶାକରି ମୁହିଁ ଅନ୍ୟଥା ହେଉଛି ।
ଅନ୍ତର୍ଯ୍ୟାମୀ ନାଥ ଥାଇଁ ହେ ପ୍ରଭୁ,
ଆସି ପ୍ରଘଟ ହେଲାଣି ସବୁ ।
ଅସନ୍ତୋଷେ ପାଉଅଛି ଲଘୁ ।
ଆଜ୍ଞା ଶ୍ରୀମୁଖ ବଚନ ଶୁଭୁ ।
ଅନକୂଳ ଶୁଭ ଲଗ୍ନ ଯୋଗୁ ।
ଆସି ମନବାଞ୍ଛା ପୂର୍ଣ୍ଣ ଲଭୁଁ ।
ଏକାକ୍ଷରକୁ ଏ ଜୀବ ଭାବୁ ।୫।
ଚନ୍ଦ୍ରପ୍ରାୟ ଉଦେ ହୋଇଛି ।
ସଂସାରେ ଚମକୁ ଅଛୁ କିମ୍ପାଇ ।
ଚାରି ଦିବସକୁ ଟାକିଥାଅ ସର୍ବେ ।
ଗୁରୁ ଚରଣକୁ ଧ୍ୟାଇ ହେ ଦାସ ।
ଚଳି ଗାଅ ମହିମାଙ୍କ ଯଶ ।
ଚାହିଁ ଚର୍ମ ରୁଧିର ମାଏଁ ସ ।
ଚୋରି ଦ୍ରବ୍ୟ ନ କରିବ ଆଶ
ଚତୁବର୍ଗେ ଥିଲେ ନାହିଁ ଦୋଷ ।
ଚର୍ମ ଦେହ ନୋହୁଛି ବିଶ୍ୱାସ ।
ଚିଦାନନ୍ଦ ପ୍ରଭୁ ନାମ ଘୋଷ ।୬।
ଛାୟା ପ୍ରାୟ ହୋଇ ଛନକା ।
କରାଇ ଡରାଉଛନ୍ତି ସମସ୍ତେ ।
ଛନ୍ଦ ଭାଷା ମାନ କିରୂପେ ସହିବି ।
ଛାତି ଦମ୍ଭକରି କେତେ ହେ ହରି !
ଛବି ଚାତୁରିକ ସିନା ଡରି ।
ଛେକି ମାରୁ ଅଛନ୍ତି ଯେ ଧରି ।
ଛାଟ ପିଟୁଛନ୍ତି ବେଢ଼ି କରି ।
ଛି ଛି କାରେ ଉପହାସ କରି ।
ଛିଡ଼ା ହୋଇଯିବି ଏକା ।
ମରି ଛାତିକୁ ଦମ୍ଢେ ପାତି ନ ପାରି ।୭।
ଯତି ବେଶ ଧରି ବ୍ରହ୍ମାଣ୍ତେ ବୁଲୁଛି ଜଣା ପଡ଼ୁଛି ସମସ୍ତ ।
ଯାଗ ଯୋଗ ଧ୍ୟାନ କରି ନେତୃ ।
ମୋର ବହି ଯାଉଛି ରକତରେ ଭକ୍ତ ଜାତି ଅଜାତି କରିବି ଯୁକ୍ତ ।
ଯୁବା କରିବି ବୃଦ୍ଧ ସମସ୍ତ,
ଜଣେ ଜଣେ ଦେବି ପଞ୍ଚାମୃତ ।
ଜାଣିଥାଅ ବ୍ରହ୍ମ ବାକ୍ୟ ସତ୍ୟ,
ଯାଗି ନାମକୁ କର ସଞ୍ଚିତ,
ଜୁରି ଲୁଟି କରିବି ନିପାତ ।୮।
ଝାଡ଼ର ଭିତରେ ଝଞ୍ଜକାରେ ପଡ଼ି ।
ଝିମାଇଁ ମାରୁଛି ଦେହ ।
ଝର ଝର ନେତୃ ବହି ଯାଉଅଛି ରକତ ମାଏଁ ସ ଲୁହ ହେ ଯତି ।
ଝାଉଁ ଝାଉଁ ପଡ଼ୁଛି ବିପିତ୍ତି,
ଝଡ଼ ପଡ଼ୁଛି ଦେହରୁ ଅସ୍ଥି,
ଝିମାଇ ମାରୁଛି ଦିବା ରାତି ।
ଝଟତିରେ ସାଧ୍ୟ କର ପୃଥ୍ୱୀ ।
ଝାମ ମରୁଛି ଅଙ୍ଗରେ ନିତି,
ଝାଉଁ ଆତ୍ମା ହେଉଛି ସନ୍ତାପି ।୯।
ନିଷ୍ଟା କରିବାକୁ କହୁଅଛି,
ତୋତେ ନିଷ୍କାମ ଭକତି ଧର୍ମ ।
ନିଶି ଦିବସରେ ନାମ ଲୟ କରି ଧରିଥିବୁ ମୋ ଚରଣରେ ପୁତା,
ନିରାମୟ ଭକ୍ତ ଗଣ କଥା,
ନିରନ୍ତରେ ଲୋଟୁଥିବ ମଥା ।
ନାହିଁ ରହିବ କାହାରି ଚେତା,
ରସାନ୍ତଳେ ପଡ଼ିବେ ଦେବତା ।
ନିଶ୍ଚେ ବୁଝିଥାଅ ଏହି କଥା,
ନୁଆ କରିବି ସକଳ କଥା ।୧୦।
ଟଳ ଟଳ ହେଉଅଛି ପିଣ୍ତେ ପ୍ରାଣ ତାଟକା ମାରୁଛି ମୋତେ ।
ଟେକି ପଞ୍ଚମନ ଟିଆକୁ ଟାକିଛି ସତ୍ୟଯୁଗ ପରିଯନ୍ତେ ହେ କର୍ତ୍ତା ।
ଧମାଳିରେ ବୁଝ ମୋର କଥା,
ଟଳୁଅଛ ଶ୍ରୀମୁଖ ବାରତା,
ଟାଣେ କହି କରୁଛି ବିନୀତା ।
ଟିକେ ନକରୁଛି ମନେ ଚିନ୍ତା,
ଟେକା ମାରି ଦେଉଛି ଅବସ୍ଥା,
ଟୋପ କୁଣ୍ତେ ପଡ଼ି ହତ ଚେତା ।୧୧।
ଠିଆ ହୋଇ ହସ୍ତ ମାରି କହୁଅଛି,
ଠିକଣା ପଦ ଦେଖାଇ ।
ଠଉରି ପାରିଲେ ଠାବ ଦେବି ତୋତେ ଏକୋଇଶ ଅଙ୍କେ ଯାଇରେ ବୀର ।
ଠାକୁରଙ୍କ ପାଦେ ସେବା କର,
ଠଣା ଜଗିଥାଅ ନିରନ୍ତର,
ଠାବ ଛାଡ଼ିଲେ ହେବୁ ଅମର ।
ଠକି ଦେବି ଦେଖନ୍ତୁ ସଂସାର,
ଠିକଣାରେ ନାହିଁ କଥା ମୋର,
ଠୁଳ ଶୂନ୍ୟ ଉପରେ ମୋ ଘର ।୧୨।
ଡାକୁଥିଲେ ଡୋଳେ ଦେଖୁଅଛ ଏବେ ଶୂନ୍ୟମୟ ବ୍ରହ୍ମ ରୂପ ।
ଡେଇଁ ପଳାଇଲେ ଗୋଡ଼ାଇ ମୁଁ ଯିବି କରିଥିବି ଯେବେ ତପ ହେ ପତି,
ଡରୁଅଛି ଜୀବନରେ ନିତି ।
ଡକାଇତଙ୍କୁ ମାର ନିପାତି,
ଡ଼ିଙ୍ଗରକୁ ପଡ଼ୁ ଦଣ୍ତ ଶାସ୍ତି ।
ଡେଇଁ ସିଂହରଡ଼ି ଦେଉଛନ୍ତି ।
ଡକା ପାରୁଛି ବାଳୁତ ମତି ।
ଡର ଭୟ ଦେଖାଉ ଅଛନ୍ତି ।୧୩।
ଢାଙ୍କୁଣି ଦେଇ ଭକତଙ୍କୁ ରଖିବି ଢାଳିକରି ଶୂନ୍ୟ ବାନା ।
ଢାଳି ସୁଧା ମକରନ୍ଦ ପିଆଇବି ଖଣ୍ତିବି ଦୁଃଖ ବେଦନାରେ ଧନ,
ଢାଉ ରଙ୍ଗକୁ ନ ଦେବୁ ମନ ।
ଢମାଳିଆ ସର୍ବ ଲୋକମାନ,
ଢାଳି ଦେଇ ହେବେ ରଣ ଭଣ ।
ଢଳିଯିବେ ଯୁଦ୍ଧେ ଦୁଷ୍ଟଗଣ ।
ଢୋଲ ପ୍ରାୟ ହୋଇବେ ମର୍ଦ୍ଦନ,
ଢୋକି କରୁଛନ୍ତି ବିଷପାନ ।୧୪।
ଅଣାକାର ପ୍ରଭୁ ଅସାଧନାମାର୍ଗେ ଉଦ୍ଧାର କରିବେ ବୋଲି ।
ଅନ୍ତର୍ଗତେ ମୁହଁ ଅନୁସରି ଅଛି ସାଧ୍ୟକର ମହିଆଳି ହେ ସ୍ୱାମୀ ।
ଅନୁଭବେ ଅରୂପକୁ ଗମି ।
ଏଣେ ତେଣେ ଯାଉଅଛ ଭ୍ରମି ।
ଆଣି ଠୁଳ କର ଅନ୍ତର୍ଯ୍ୟାମୀ ।
ଅଣ ସାଧନାରେ ସିଦ୍ଧଭୂମୀ ।
ଅଣଆୟତ୍ତ ସର୍ବେ ହେଲେଣି ।
ଆସି ଉଦେ ହୋଇଛ ମେଦିନୀ ।୧୫।
ତ୍ରୈଲୋକ୍ୟର ନାଥ ତ୍ରିପୁର ସାଧିବି ତିଳେ ପାଇ ଥାଅ ଦୁଃଖ ।
ତତ୍କ୍ଷଣେ ପୃଥ୍ୱୀ ନ କରିବି ଯେବେ, ଚନ୍ଦ୍ରସୂର୍ଯ୍ୟ ଥାନ୍ତୁ ସାକ୍ଷରେ ଭୃତ୍ୟ !
ତାରି ନେବି ସମସ୍ତ ଜଗତ ।
ତତ୍ତ୍ୱେ ଦେବି ଧନ ରତ୍ନ ବିତ୍ତ ।
ସ୍ତ୍ରିରୀ ରତ୍ନ କରିବି ପ୍ରାପତ ।
ତାରାପ୍ରାଏ ତୋର ରୂପବନ୍ତ ।
ତରତର ନକର ତୁ ଚିତ୍ତ,
ତିନିବାର କରୁଅଛି ସତ୍ୟ ।୧୬।
ଥରୁଛି ଜୀବନ ଚେତା ଚଇତନ ।
ଥିବଟିକି ପିଣ୍ତେ ରହି ।
ସ୍ଥିତି ଥିବାଯାଏ ଥିରରେ କହୁଛି ଛବିକି ଯାଉଛି ବହି ହେ ବ୍ରହ୍ମ !
ଥିଲେ ପିଣ୍ତେ ପ୍ରାଣ ସିନା କାମ ।
ଥରେ ଘେନି ଯିବ ଅବା ଯମ ।
ଥୋକେ ବର୍ତ୍ତିବାକୁ ନାହିଁ କ୍ଷମ ।
ସ୍ଥିର ନ କରୁଛି ମୋତେ କାମ ।
ଥିବ ଯେବେ ଯିବ ନିଜ ଧାମ ।
ଥରେ ଜପୁଥିବି ତୁମ୍ଭ ନାମ ।୧୭।
ଦଶା ଦୋଷ ସହି ଦରିଦ୍ର ପରାଏ ବିହରୁ ଅଛି ଜଗତେ ।
ଦିବାନିଶି ମୋତେ ଦଣ୍ତେ ସୁସ୍ଥ ନାହିଁ ।
ଭକ୍ତଙ୍କ ଦୁଃଖ ଦିମନ୍ତେରେ ଭୀମ !
ଦେଖ ଜଳୁଅଛି ଅଙ୍ଗରୋମ ।
ଦଗା ବାଜୁଅଛି ଘାତଧୁର୍ମ ।
ଦ୍ରବିଭେଦି ଯାଉଅଛି ମର୍ମ ।
ଦଗା ନିନ୍ଦାକରି ସବୁ ଶମ ।
ଦବି ପଡ଼ିଲେଣି ଚଉଧାମ ।
ଦରଶନେ ରଖିଥାଅ ଧର୍ମ ।୧୮।
ଧରଣୀରେ ଧୁନି ସ୍ଥାପନା ହୋଇଲା
ଜ୍ଞାନକୁ ସଙ୍ଗତେ ଘେନି ।
ଧର ଧର ବୋଲି ଧର୍ମକୁ ଯାଚନ୍ତେ ଧରି ନ ପାରିଲେ ଚିହ୍ନି ହେ ସ୍ୱାମୀ ।
ଧୂଳି ଭିକ୍ଷାରେ ଦେଲେଣି ଫିଙ୍ଗି ।
ଧର୍ମ ପାଳୁଛ କାହାରି ଲାଗି ।
ଧରି ଦିଅ ପୃଥ୍ୱୀ ଯାଉ ଭାଙ୍ଗି ।
ଧର୍ମେ ଅପରାଧି ପଛେ ହେବି ।
ଧରଣୀରେ ଧର୍ମକୁ ରଖିବି ।
ଧରାଭାର ଉଶ୍ୱାସ କରିବି ହେ ଯୋଗୀ ।୧୯।
ନବଖଣ୍ତ ମହୀ ଭିଆଣ କରିଛି ନବକଳ୍ପ ତପ କରି ।
ନ ସମ୍ଭାଳେ ନ ରହିବ ନିଶ୍ଚଳେ ଚାହିଁଦେଲେ ଯିବ ସରିଲେ ଥାଳ !
ନରକୁଳେ ଜାତ ଭକ୍ତ ମୋର ।
ରାତି ପାଉ ଅଛନ୍ତି ବିକଳ ।
ନାମ ଉଚ୍ଚେ ବସିବ ସକଳ ।
ନିନ୍ଦା ସହିବା ହୁଅଇ ଭଲ ।
ନିଶି ପୂରି ପାହିଲାଣି କାଳ ।
ନାଶ ହୋଇବ ମହୀ ମଣ୍ତଳ ।୨୦।
ପଣତ ପ୍ରସାରି ଶ୍ରୀପୟର ଧରି ମାଗୁଅଛି ପାତି ହସ୍ତ ।
ପାଶେ ପାଶେ ଥିବି ପାଶୋରି ନ ଦେବି ପଦ୍ମପାଦେ ଦେଇ ଚିତ୍ତ ହେ ପ୍ରେମ ।
ପ୍ରାଣ ତେଜି କଲି ସର୍ବ ସମ ।
ପୃଥ୍ୱୀ ପାଷାଣ ପରାଏ କର୍ମ ।
ପରାପର ନୁହେଁ ଗୁଣ ଗ୍ରାମ ।
ପୃଥ୍ୱୀ ମଧ୍ୟେ କରାଇ ବିଶ୍ରାମ ।
ପଥ ଦିଅନ୍ତୁ ମୋତେ ନିଷ୍କାମ ।
ପିଣ୍ତ ଯାଉ ରହୁଯଶ ଧର୍ମ ।୨୧।
ଫେଡ଼ିବି ବନ୍ଧନ ଫିଟାଇବି ଦୁଃଖ ଫଳ ବାଣ୍ଟି ଦେବି ଦେଖ ।
ଫରଫର ଶୁନ୍ୟେ ଦାନା ଉଡ଼ୁଅଛି ତିନିପୁର ତ୍ରଇଲୋକ ହେ ଜୀବ ।
ଫନ୍ଦା ନୂଆ ଥିତି ବାଡ଼ି ହେବ ।
ଫରୁଣାରେ ସମସ୍ତେ ରହିବ ।
ଫଳ ପରସିବେ ସର୍ବ ଦେବ ।
ଫଳ ଲୋଭେ ନ ପଶିବ ରୋଗ ।
ଫଟା କୁଡ଼ିଆ ଉଆସ ହେବ ।
ଫାଟି ଯାଉ ଘୋର କଳିଯୁଗ । ୨୨।
ବାଧିଲା କଷଣ ଜୀବନକୁ ମୋର ବନଗ୍ରାମ ବୁଲି ବୁଲି ।
ବୀର କେଶ ଧରି ବାଦି ଲାଗୁଛନ୍ତି ବେଦ ନିନ୍ଦାକଲେ ବୋଲି ହେ ପ୍ରାଣ ।
ବାନା ନିନ୍ଦଛନ୍ତି ମୁଢ଼ ଜନ ।
ବହି ବଡ଼ିମା ଶକତି ଟାଣ ।
ବୁଲି ନ ପାଇଲେ ଭକ୍ତେ ସ୍ଥାନ ।
ବାୟା ହୋଇଲେଣି ସର୍ବଜନ ।
ବତାଇଣ ଦେଉଛ ଆପଣ ।
ବୁଦ୍ଧ ଅବତାରେ ପରଂବ୍ରହ୍ମ । ୨୩।
ଭରସା ଦେଇଛି ଭାରା ଉଶ୍ୱାସିବ ଭାବେ ବଞ୍ଚୁଥାଅ ଦିନ ।
ଭବସିନ୍ଧୁ ଘୋର ନ ପଡ଼ିବ ତୁମ୍ଭେ ଭକ୍ତିରେ ରଖିଲେ ମନରେ ପିଣ୍ତ ।
ଭରି ପୂର୍ଣ୍ଣ ହେବ ଧୁନି କୁଣ୍ତ ।
ଭରସା ହୋଇବ ନବଖଣ୍ତ ।
ଭରା ଛେଦିବଇଁ ଖଣ୍ତ ଖଣ୍ତ ।
ଭାତ ବରତନ ଦେବି ମଣ୍ତ ।
ଭୁଜ ଟେକିଅଛି ବାହୁ ଦଣ୍ତ ।
ଭଜୁ ଥାଅ ଧରମର ଦାଣ୍ତ ।୨୪।
ମନୁଷ୍ୟ ଛାରକି ମନକୁ ଧରିବ ମୁନୀନ୍ଦ୍ର ପରାୟ ହୋଇ;
ମୀନ ପ୍ରାୟ ମନ ଚହଟି ଯାଉଛି ମାୟାମୋହେ ହୋଇ ବାଇ ହେ ସିଦ୍ଧ୍ୟ ।
ମୋତେ ଦିଅ ଅନୁଭବ ପଦ ।
ମନୁଷ୍ୟକୁ ଦିଅ ପଦ ପାଦ ।
ମତି ପ୍ରେମଭରେ ଗଦ ଗଦ ।
ମାୟା କରୁଅଛ ଖେଦ ନାଦ ।
ମାନି ଧରି ନ ପାରୁଛି ଆଦ୍ୟ ।
ମୃତ୍ୟୁ ଜୀବନେ କରୁଛି ବାଦ। ୨୫।
ଜାତ ହୋଇଅଛି ମହୀମଣ୍ତଳକୁ ଯୋଗୀ ପରଂବ୍ରହ୍ମ ଅଂଶୁ ।
ଯତନେ ମହିମା ନାମ ପ୍ରକାଶିବି ଉଦେ ହୋଇଛି ଆକାଶୁ ହେ ସ୍ୱାଦୁ ।
ଜନ୍ମ ହୋଇଛି ଅନାମ ବେଦୁ ।
ଯୁଗ ଆଶିଷ ହେଉଛି ପାଦୁ ।
ଜୀବ କାୟାରେ ହେଉଛି ସିନ୍ଧୁ ।
ଯୋଡ଼ିଥିବୁ ପାଦ ପ୍ରାନ୍ତ ଆଦ୍ୟୁ ।
ଜଗି ପିଉଥାଅ ସୁଧା ମଧୁ ।
ଯଦି ପାର ହେବୁ ଭବସିନ୍ଧୁ ।୨୬।
ରାକ୍ଷସ ମନୁଷ୍ୟ ଋଷି ମୁନି ଆଦି ହୋଇଛନ୍ତି ମିଶା ମିଶି ।
ରାଗ ରିଷ କରୁଛନ୍ତି ପ୍ରାଣୀମାନେ;
ପାଶରେ ନୋହୁଛି ବସି ହେ ପୁଂଷ ରହି ନ ପାରିଲେ ତୁମ୍ଭ ଶିଷ୍ୟ
ରଣ ଯୁଦ୍ଧ କରାଅ ପ୍ରକାଶ ରକ୍ତ ମାଂସକରୁ ପୃଥ୍ୱୀ ଗ୍ରାସ ।
ରାଜ୍ୟ ଦେଶ ଭାଙ୍ଗି ହେଉ ନାଶ ରସା ବାସୁକି ଭାରା ଉଶ୍ୱାସ ରଖ ବାଛି କରି ତୁମ୍ଭ ଦାସ । ୨୭।
ଲବ୍ଧା ଭକ୍ତି ପାଇ ଲଭ ଏତେବେଳେ ଦେଖି ଦିଗାମ୍ବର ବେଶ ।
ଲାବଣ୍ୟ ମୁରତି ରୂପକୁ ଭଜିଲେ;
ଘୁଞ୍ଚିଯିବ ମୃତ୍ୟୁ ଦୋଷ ହେସ୍ତିରୀ ।
ଲଭି ପାରିବୁକି ମୋତେ ଧରି ।
ଲାଭ ବାଣିଜ୍ୟ ହେବ ତୋହରି ।
ଲଭି ଭଜ ଚିତ୍ତ ଦୃଢ଼ କରି ।
ଲଘୁ ହେବ ମୁଁ ଗଲେ ବାହାରି ।
ଲକ୍ଷେ ଯୁଗ ଗଲାଣି ଏପରି ।
ଲୋକେ ଦେଖୁ ଦେଖୁ ଯିବେ ସରି ।୨୮।
ବଚନେ ଉଦ୍ଧାର ହୋଇବି ବୋଲୁଛି ବୁଝିବାକୁ ନାହିଁ ଶକ୍ୟ ।
ବସିଥାଇ ବସା ଘରେ ଭଜୁଥିବି ଶୂନ୍ୟମୟ ବ୍ରହ୍ମରୂପ ହେ ଦୃଶ୍ୟ ।
ବୁଦ୍ଧି ସାଧିବାକୁ ନାହଁ ଆସ୍ୟ ।
ବୁଦ୍ଧି ଅଟେ ବାଳୁତ ବୟସ ।
ବୁଦ୍ଧ ପୁରାତନ ନୁହେଁ ଶିଷ୍ୟ ବହି ନପାରେ ବାନା ଅଶେଷ ।
ବେଗେ ସାଧି ହୁଅ ବୀର ବେଶ ।
ବାସ ଦିଅ ଚଉଁରୀ ଉଆସ ।୨୯।
ସରିଲାଣି ଆସି ପୃଥ୍ୱୀ ଜପତପ ସାଧ୍ୟ ହୋଇବ ଏ ମହୀ ।
ଶରଣ ସମ୍ଭାଳି ଭକ୍ତଙ୍କୁ ରଖିବି ଚିହ୍ନି ନପାରିବେ କେହି ହେ ରାଧା ।
ଶିରୀ ପରାପତ ହେବ ବିଦ୍ୟା ।
ଶିରେ ଢାଳିଦେବି ପ୍ରେମ ସୁଧା ।
ସୁର ଲୋକଙ୍କୁ ହୋଇବ ନିନ୍ଦା ।
ସ୍ୱର୍ଗେ ଦେଖୁଥିବେ ଅର୍କବୃନ୍ଦା ।
ସବୁ ଭକ୍ତଙ୍କୁ କରିବି ଗଦା ।
ସାର ଲଭିଯିବେ ମନ ବାଧା ।୩୦।
ସତ୍ୟାଦି ଯୁଗକୁ ଡାକୁଛ ସମସ୍ତେ ଶୂନ୍ୟ ମୟ ରୂପ ଧ୍ୟାଇ ।
ସତ କହି ସତ ପତି ବୋଲାଇବ ପ୍ରଭୁ ଯେବେ ଯିବେ ଥୋଇରେ ସତ ।
ସମ କରୁଅଛି ଜାତି ଗୋତ୍ର ।
ଶୁଣ ଶାଆସ୍ତ୍ର ବେଦ ବେଦାନ୍ତ ।
ଶୁଭେ ବୁଝିନିଅ ଆଦି ଅନ୍ତ ।
ଶାନ୍ତି ସୁମରି ପୂର୍ବ ସ୍ୱକୃତ ।
ସାଧ୍ୟ ହେଉ ଏବେ ସ୍ୱର୍ଗ ମର୍ତ୍ତ୍ୟ ।
ଶତ୍ରୁ ମାରି ରଖ ତୁମ୍ଭ ଭକ୍ତ ହେ ସତ ।୩୧।
ଶୁଖିଲା ନାବରେ ପାଣି ପଶିଯିବ ସମସ୍ତେ ଥାଆନ୍ତୁ ସାଖି ।
ସୁଖ ନାହିଁ ମୋତେ ଦିବସ ରଜନୀ ତୁମ୍ଭ ପାଇଁ ମୁଁ ଯେ ଦୁଃଖୀରେ ଶଶି ।
ଶେଷ ପାହାନ୍ତି ହେଲାଣି ଆସି। ଶୋଇଅଛ ସର୍ବେ ଉଠ ଚେତି ।
ଶତ୍ରୁ ବେଢିଲେଣି ଚଉକତି । ଶାସ୍ତି ଦଣ୍ତ ପଡ଼ିବ ଏ କ୍ଷିତି ।
ଶସ୍ତ୍ର ଘେନି ହସ୍ତେ ଖଣ୍ତା କାତି ।
ଶୂନ୍ୟ ହେବ ଯମ୍ବୋଦୀପ ପୃଥ୍ୱୀ ।୩୨।
ହେଉ ଏଥର ପଛେ ହତ୍ୟା ପାଇବି ହାଣ ଉଠାଇବି ନିଶ୍ଚେ ।
ହସ୍ତୀ ଚଢ଼ି ହସ୍ତ ଲଗାଇ ମାରିବି ଦୁଷ୍ଟ ନ ରଖିବି ମର୍ତ୍ତେ ହେ କବି ।
ହାକ ତିନିପୁରେ ଯାଉ ଶୁଭି ।
ହେଜି ଟିଆକଣ୍ଟ ଥାଅ ଜାଗି ।
ହକାଉଛି ନାମ ମାୟା ଲାଗି ।
ହାକିଶୂନ୍ୟ ଚକ୍ରକୁ ପେଷିବି ।
ହିଂସା ବାଦ ଛନ୍ଦ ନ ରଖିବି ।
ହଟ ହଟେ ଦୈତ୍ୟଙ୍କୁ ମାରିବି ।୩୩।
ଖାଲେ ପଡ଼ିଅଛି ଖଣ୍ତିକି ଝିଙ୍କିନେବ କ୍ଷମା ଦେଲେ ଯିବି ତରି ।
ଭଣେ ଭୀମ ଭୋଇ ପାମର ଅଧମ ଗୃରୁ ପାଦ ପଦ୍ମ ଧରି ହେ ସନ୍ଥେ ।
ଦରଶନ କଲି ତାର ଶତେ ।
ସ୍ୱାମୀ ଅନାସ୍ତ ନ କର ମୋତେ ।
ଅନ୍ତର୍ଦ୍ଧାନ ହେଲେ ଅବଧୂତେ ।
ସାଧୁ ଯେବେ ଦୟାକର ମୋତେ ।
ମନ ବାଞ୍ଛା ହେଉ ପରାପତେ ।
ପଡ଼ି ତିରଣ ଧରୁଛି ଦନ୍ତେ ।୩୪।
କର୍ତ୍ତାଙ୍କ ଛାମୁରେ କରଯୋଡ଼ି ଶିରେ ନିତି କରୁଛି ଜଣାଣ ।
କର ପ୍ରତିକାର ଭକତ ତୁମ୍ଭର ହୋଇଲେଣି ହୀନିମାନ ଯେ ।
କିମ୍ପା ଗୁପତେ ଅଛ ।
କଥା କାହିଁ ପାଇଁ ନ ଶୁଣୁଛ ।୧।
କହନ୍ତି ଅଲେଖ ରହି ଶୂନ୍ୟଶିଖ କିଛି ନ କରରେ ଭୟ ।
କରମୂଳେ ଆଣି ଭକ୍ତଙ୍କୁ ରଖିବି ଉଦ୍ଧରି ନେବି ନିଶ୍ଚୟରେ ।
କଥା ଅଟଇ ସତ ।
କାଳ ମୁଖେ ଦୁଷ୍ଟେ ହେବେ ହତ । ୨।
କ୍ଷମାସାଗର ଅଲେଖ ଅବଧୂତ ତୁମ୍ଭପରା ପ୍ରଭୁ ଥାଉଁ ।
ଖଳ କଥା ଶୁଣି ହୃଦ ହୁଏ ହାଣି ସମ୍ଭଳି ନୋହୁଛି ଆଉ ଯେ ।
ଖେଦି ମାରୁଅଛନ୍ତି ।
ଖୋଜି ଭକ୍ତେ ଠାବ ନପାବନ୍ତି ।୩।
ଖଟିଥାଅ ଧ୍ୟାଇ ଅଭୟ ପାଦକୁ ଖେଦ ନ କରି ମନକୁ ।
ଖଣ୍ତ ଖଣ୍ତ ହୋଇ ଖପର ଦାଢ଼ରେ ଛେଦିବି ଦୁଷ୍ଟ ବଳକୁ ରେ ।
ଖାଲ ଢ଼ିପରେ ପଡ଼ି ।
ଖର୍ବ ଖର୍ବ ସର୍ବ ଯିବେ ମରି ରେ ।୪।
ଗୁରୁଙ୍କ ଛାମୁରେ ଜଣାଣ କରୁଛି ପାଦପଦ୍ମ ତଳେ ପଡ଼ି ।
ଗରବିତାପଣେ ଧାଇଁ ଦୁଷ୍ଟ ଗଣେ ଗର୍ଜି ହେଉଛନ୍ତି ଝାଡ଼ି ଯେ !
ଗଞ୍ଜୁଛନ୍ତି ବହୁତ ।
ଗାଳି ଭର୍ଚ୍ଛ ନାରେ ଅପ୍ରମିତ ।୫।
ଗୋପନରେ ଅଛି, ନ ଭାଳରେ କିଛି ସହିଥାଅ ଗାଳି ଦ୍ୱନ୍ଦ୍ୱ ।
ଗୋଧର୍ମ ଦାଣ୍ତରେ ସଭିଙ୍କୁ ରଖିବି ଯେତେକ ଭକତ ବୃନ୍ଦ ରେ ।
ଗର୍ବ ଗଞ୍ଜିବି ନିଶ୍ଚେ ।
ଗହଣିଆ ଭକ୍ତ ଥିବେ ପଛେ ।୬।
ଘରଦ୍ୱାର ଦୂର କରିଣ ତୁମ୍ଭର ଚରଣେ ଲଗାଇ ଆସ ।
ଘଡ଼ିଏ ବିଶ୍ରାମ ନାହିଁ ବନ ଗ୍ରାମ ବୁଲୁଛନ୍ତି ତୁମ୍ଭ ଦାସ ଯେ ।
ଘେରି ଘଉଡ଼ିଦ୍ୟନ୍ତି ।
ଘନ ଘନ ରଡ଼ି ଛାଡ଼ୁଛନ୍ତି ।୭।
ଘଉଡ଼ିଲେ ନର କି ହେବ ମୋହର ଏଥକୁ ନ ଭାଳ କିଛି ।
ନିବାରିବା ପାଇଁ କଳିଯୁଗ ଭାରା ଶୂନ୍ୟଲୀଳା ଲଗାଇଛି ରେ ।
ନିନ୍ଦାସ୍ତୁତି ମୋ ସମ ।
ନ ଜାଣି ନିନ୍ଦନ୍ତି ନରାଧମ ।୮।
ଉଦେ ହୋଇଅଛ ଧର୍ମରକ୍ଷା ଅର୍ଥେ ସ୍ୱୟଂ ବୁଦ୍ଧ ବଇଷ୍ଣବ ।
ଆପଣେ ଆପଣ ଆପେ ନିରିମାଣ ଶୂନ୍ୟବ୍ରହ୍ମ ଗୁରୁଦେବ ଯେ ।
ଅନୁସରିଛି ଧ୍ୟାଇ। ଆଉ ଅନ୍ୟରେ ଭରସା ନାହିଁ ।୯।
ଅଣାକାରବ୍ରହ୍ମ କହୁ ଅଛୁ ଆମ୍ଭେ ଆରତ ନୁହରେ ବଳା ।
ଆଠପଦ୍ମଭକ୍ତ ବ୍ରହ୍ମାଣ୍ତେ ରଖିବି ଶୂନ୍ୟେ ଲଗାଇବି ଲୀଳା ରେ ।
ଆଉ ଯେତେ ସଂସାର ।
ଅବଶ୍ୟ ହୋଇବ ନାରଖାର । ୧୦।
ଚମକ ପଡ଼ୁଛି ଚଉଦ ବ୍ରହ୍ମାଣ୍ତ ହାଟବାଟ ଜଳତୁଠେ ।
ଚାହୁଁ ଚାହୁଁ ବଣା ହେଲେଣି ସରବେ ପଡ଼ି ମାୟାଛନ୍ଦ କୂଟ ଯେ ।
ଚୋର ଚଣ୍ତାଳ ବୋଲି ।
ଚାରିଦିଗେ ଦେଉଛନ୍ତି ଗାଳି ।୧୧।
ଚନ୍ଦ୍ରସୂର୍ଯ୍ୟ ମୋର ଆଜ୍ଞା ଘେନି କରି କରନ୍ତି ଫେରି ପହରା ।
ଚାହିଁଥାଅ ସର୍ବେ ଯେ ଯାହା କହନ୍ତି ଅବଶ୍ୟ ପଡ଼ିବେ ଧରା ରେ ।
ଚାହିଁଛନ୍ତି ସକଳେ ।
ଚାରିଦିଗେ ଅଷ୍ଟ ଦିଗପାଳେ ।୧୨।
ଛନକା ପଶିଲା ପରାଏ ଜଗତ ହେଉଛନ୍ତି ଛନ୍ନ ଛନ୍ନ ।
ଛନ୍ଦ କୂଟ ଲାଞ୍ଚମିଛେ ଧନ ଖାଇ କରୁଛନ୍ତି ଗର୍ବ ମାନ ଯେ ।
ଛାଡ଼ି ସତ୍ୟ ବଚନ ।
ଛନ୍ଦେ ହେଉଛନ୍ତି ତମ ତମ ଯେ ।୧୩।
ଛଡବେଦ ପରେ ରହି ଶୂନ୍ୟବ୍ରହ୍ମ ବୋଲନ୍ତି ଶୁଣରେ ପୋଏ।
ଛାତି ଦମ୍ଢକରି ରହିଥାଅ ସର୍ବେ ଆଉ ଅଳ୍ପଦିନ ଯାଏ ରେ ।
ଛଣା ହେଉଛି ଜ୍ଞାନ ।
ଛନ୍ଦେ ନ ପଡ଼ ସୁଜ୍ଞାନୀ ଜନ ।।୧୪।
ଯୁଗ କରତା ଅଭୟ ବରଦାତା ଶରଣ ପଞ୍ଜର ଗୁରୁ ।
ଯୋଗୀନ୍ଦ୍ର ଜ୍ୟୋତି ସଚିଦାନନ୍ଦ ପତି ଅବ୍ୟକତ ମହାମେରୁ ଯେ ।
ଜାଣ ସକଳ ଧର୍ମ ।
ଜଗତକୁ କିମ୍ପା କର ଭ୍ରମ ।୧୫।
ଜାତ ମୁଁ କରିଛି ଆଜ୍ଞା ମୁଁ ଦେଇଛି ମୋତେ ସେବାକର ବୋଲି ।
ଜାଣିଶୁଣି କରି ଆଜ୍ଞାକୁ ପାଶେରି ଅମଡ଼ାରେ ଗଲେ ଚାଲି ରେ ।
ଜୀବ ନାହିଁ ମୋ କିସ ।
ଯେଝାକର୍ମେ ସର୍ବେ ଯିବେ ନାଶ ।୧୬।
ଝଗଡ଼ା ଜଞ୍ଜାଳ ଝଞ୍ଜକାରେ ପଡ଼ି ଝୁମାଇଁ ହେଲେଣି ମନେ ।
ଝର ମକରନ୍ଦ ଛାଡ଼ି ଗୁରୁ ପାଦ ବାଳୁତ ପରାଏ ଜନେ ହେ ।
ଝଟତିରେ ତା ହେଉ ।
ଝଗଡ଼ାରେ ବି ଭୟ ନଥାଉ । ୧୭।
ଝଡ଼ିବେ ଯେତେକ ।
ଝବୁଡ଼ି ଆଲୋକ ଦୁଷ୍ଟବଳ ଯେତେ ହେବେ ।
ଝାଡ଼ ପର୍ବତ ନଦୀ ବନ ଗ୍ରାମରେ ଯେ ଠାବେ ଯେ ଯହିଁଥିବେ ରେ ।
ଝଡ଼ି ଯିବେ ପ୍ରମାଣ ।
ଝଞ୍ଜକାରେ ହୋଇ ରଣଭଣ ।୧୮।
ଆପ ମହିମାରେ ଉଦେ ହୋଇଅଛ ଅରୂପ ବ୍ରହ୍ମ ମୂରତି ।
ନ ଚିହ୍ନିଲେ କେହି ତୀର୍ଥବ୍ରତେ ବାଇ ରୂପ ରଙ୍ଗେ ଚାଲୁଛନ୍ତି ରେ ।
ନାନା ପଥେ ଭ୍ରମିଲେ ।
ନାମ ଭଜନକୁ ନିନ୍ଦା କଲେ ।୧୯।
ନିନ୍ଦା କଲେ ନର କି ହେବ ମୋର ଏଥୁ ନ ଭାଳ କିଛି ।
ନିବାରିବା ପାଇଁ କଳିଯୁଗ ଭାରା ଶୂନ୍ୟ ମହାଶୂନ୍ୟେ ଅଛି ରେ ।
ନିଜ ମହିମା ଦେଖ ।
ନିଦା ବ୍ରହ୍ମ ମୁଁ ଗୁରୁ ଅଲେଖ ।୨୦।
ଟାହି ମାରୁଛନ୍ତି ଟମାଳି ମଣନ୍ତି ନିନ୍ଦା କରୁଛନ୍ତି ମୂଢ଼େ ।
ଟାକି ଅଛୁ ପ୍ରଭୁ ତୁମ୍ଭ ଶ୍ରୀ ଆଜ୍ଞାକୁ ଅନୁସରି ଅଛୁ ଦୃଢ଼େ ଯେ ।
ଟହ ଟହ ହସନ୍ତି ।
ଟାଣେ ଜଡ଼ା ସମାନେ ଭାଷନ୍ତି ।୨୧।
ଟାଣ ଭାଙ୍ଗିବାକୁ ଆସିଅଛୁ ଆମ୍ଭେ ଟିକଏ ସମ୍ଭାଳ ବାବୁ ।
ଟାହିକଲା ଲୋକ ଭାଙ୍ଗିଯିବ ବେକ ଅବଶ୍ୟ ଦେଖିବୁ ସବୁ ରେ ।
ଟାହି କରିବ ଯେହି ।
ଟିକାକରେ ସାଧ୍ୟ ହେବ ମହୀ ।୨୨।
ଠାକୁରଙ୍କ ଆଗେ ଠିଆହୋଇ ଏବେ ପାଦପଦ୍ମେ ଜଣାଉଛି ।
ଠଉରି ନୋହି ତେଣୁ ଜଣାଉଛି ଦେବକୂଟ ପଡ଼ୁଅଛି ଯେ,
ଠାକୁର ଅନ୍ତର୍ଯ୍ୟାମୀ ।
ଠିକେ ଦୟାକର ଗୁରୁ ସ୍ୱାମୀ । ୨୩।
ଠିଆ ହୋଇ ଗୁରୁ ଠାରି କହୁଛନ୍ତି ଠିକେ ଶୁଣରେ କୁମର ।
ଠୁଳ ଶୂନ୍ୟ ପରେ ରହି ଅନାମରେ ଆସନ କମ୍ପୁଛି ମୋର ରେ ।
ଠକେ ବାଞ୍ଚିତ ଚିତ୍ତେ ।
ଠକି ରହ ଆଉ ଦିନା କେତେ ।୨୪।
ଡରେ ଘନ ଘନ କମ୍ପେ ପିଣ୍ତ ପ୍ରାଣ ଡାକି କହୁଛି ନିରତେ ।
ଡାହାଣୀ ପିଚାସୀ ଭୂତପ୍ରେତ ଆସି ଡରାଉ ଅଛନ୍ତି ମୋତେ ।
ଡର ଛେଦ ହେ ଗୁରୁ ।
ଡ଼ିଙ୍ଗରଙ୍କ ଗାରିମା ଯେ ସରୁ ।୨୫।
ଡାକି କହୁଅଛି ନିଷ୍କାମ ଭକ୍ତଙ୍କୁ ଯେତେ ଅଛି ମୋତେ ଭାବି ।
ଡର ଭୟ ଦୁରକରି ରହିଥାଅ ଡୋର କଉପୀନ ଦେବିରେ।
ଢାକିଦେଉଛି କହି ।
ଡ଼ିଙ୍ଗରକୁ ନ ରଖିବି ମହୀ ।୨୬।
ଢୋକୁଛନ୍ତି ସର୍ବେ କାଳଚୁଟ ବିଷ ଅମୃତ ରସକୁ ଛାଡ଼ି ।
ଢ଼ଳିପଡ଼ୁଛନ୍ତି ଧାଡ଼ି ଧାଡ଼ି ହୋଇ ମେଦିନୀ ଉପରେ ମାଡ଼ି ହେ ।
ଢ଼ଙ୍ଗ ରଙ୍ଗରେ ମାତି ।
ଢ଼ମପଣେ ହାସ୍ୟ କରୁଛନ୍ତି ।୨୭।
ଢୋକୁଛନ୍ତି ସର୍ବେ କାଳିଆ ଗରଳ ଏଥର ଯିବେ ରେ କାହିଁ ।
ଢଳିବେ ସମସ୍ତେ କାଳଚକ୍ରବାତେ ବର୍ତ୍ତିବାକୁ ଆଶା ନାହିଁ ରେ ।
ଢଳି ପଡ଼ିବେ ସର୍ବେ ।
ଢମପଣିଆ ଜଣେ ନ ଥିବେ । ୨୮।
ଅନାଥ ପରାଏ ଅନୁସରି ଅଛୁ ଅସୁରଙ୍କ ଧାପ ଦେଖି।
ଆସି କହୁଛନ୍ତି ଆମ୍ଭର କତିକି ଡରେ ବୁଜି ବେନି ଆଖି ଯେ ।
ଅନ୍ଧ ପ୍ରାଏ ବସିଛି ।
ନାମ ବ୍ରହ୍ମଙ୍କୁ ଆଶ୍ରେ କରିଛି । ୨୯।
ଅଣାକାର ଧୁନି ଯେଉଁଦିନ ଆଣି ସ୍ତାପିଦେଲୁ ମର୍ତ୍ତ୍ୟପୁରେ ।
ଅସୁର ମେଳଛ ନିବାରିବାପାଇଁ ସ୍ୱୟଂ ବିଜେ ରବି ତଳରେ ।
ଆଠପଦ୍ମ ଭକତ ।
ରଖି ନାଶିବି ଦୁଷ୍ଟ ସମସ୍ତ ରେ ।୩୦।
ତ୍ରିଲୋକ୍ୟନାଥଙ୍କ ପାଦପଦ୍ମ ବିନା କିଛି ନ ରୁଚଇ ମୋତେ ।
ଚରଣ ଧରୁଛି ପାଦେ ଜଣାଉଛି ତ୍ରାହିକର ଦୟାଚିତ୍ତେ ଯେ ।
ତତ୍ତ୍ୱ ସନ୍ଦେଶ କହ ।
ତୁମ୍ଭ ପାଦତଳେ ନେଇ ଥୁଅ ।୩୧।
ତରତର ନୁହ ସହି ରହିଥାଅ ଡେରିଅଛି ଦିନାକେତେ ।
ତିନି ବ୍ରହ୍ମାଣ୍ତକୁ ଲେଉଟାଇ ଦ୍ୟନ୍ତି ସିନ୍ଧୁ ମଧ୍ୟରେ ଅଦ୍ଭୁତରେ ।
ତିଳ ପ୍ରାୟକ ମୋତେ ।
ତାହା ସହିଛି ଭକ୍ତ ନିମନ୍ତେ । ୩୨।
ଥର ଥର ହୋଇ ଥରୁଛି ଜୀବନ ଆଜ୍ଞାକୁ ଟାକି ରହିଛି ।
ଥଳକୂଳ ବୋଲି ନ ଜାଣିଲି କିଛି ଅଥଳେ ଭାଷି ଯାଉଛି ଯେ ।
ଥୋକାଏ ଯେ ରଖ ପାଦେ ।
ଥୟ ନ ଲାଗୁଛି ଅପ୍ରମାଦେ ।୩୩।
ଥାଅରେ ଭକତେ ସମ୍ଭାଳି ଜଗତେ ଦୁଃଖ ଦରିତ ଖଣ୍ତିବି ଥୋଇବି
ସଭିଙ୍କୁ ଏକାମ୍ବର ବନେ ବାନା ଘୋଡ଼ାଇ ରଖିବି ରେ ।
ଥୟ କରିବି ପୃଥ୍ୱୀ ।
ଥିବ ସମସ୍ତେ ମୋ ପଛ କତି।୩୪।
ଦୁଷ୍ଟଦଳନ ବାନାକୁ ବହିକରି ବୁଝନ୍ତୁ ତୁମ୍ଭର ଦାସ ।
ଦାତା ଦେବା ଅନ୍ନ ଭୁଞ୍ଜିଲା ବେଳକୁ ଦିଅନ୍ତି ଧୂଳି ପାଉଁଶ ଯେ ।
ଦୁଷ୍ଟ ଦାନବ ଆସି ।
ଦ୍ୟନ୍ତି ଘଉଡ଼ି ଦୁର୍ଭାଷ ଭାଷି ଯେ ।୩୫।
ଦେଖୁଅଛୁ ଆମ୍ଭେ ଶୂନ୍ୟମାର୍ଗେ ରହି ଯେ ଯାହା ଅଛନ୍ତି କହି ।
ଦୁଷ୍ଟଦାନବଙ୍କୁ ନ ରଖିବି ମଞ୍ଚେ ମେଳଛ ନିନ୍ଦୁକ ଯେହିରେ ।
ଦୃଢ଼ ପ୍ରତିଜ୍ଞା ମୋର ।
ଦୟାଧର୍ମ କରିବି ପ୍ରଚାର ।୩୬।
ଧରିନେଇ କେହି ଧରମ ଦାଣ୍ତରୁ ବନ୍ଦିରେ ଦ୍ୟନ୍ତି ପକାଇ ।
ଧର୍ମକୁ ନ ମାନି ଧାମ ଭାଙ୍ଗୁଛନ୍ତି କୁକଥା ବଚନେ କହି ଯେ ।
ଧର୍ମବନ୍ତ କରତା ।
ଧର୍ମେ ବୁଝ ଶୂନ୍ୟବ୍ରହ୍ମ ବେତ୍ତା ।୩୭।
ଧର୍ମରେ ଏ ମହୀ ରଖିବାର ପାଇଁ ଆସିଅଛୁ ଆମ୍ଭେ ଧାଇଁ ।
ଧର୍ମେ ନ ଚାଲିଣ ଧାମ ଯେ ଭାଙ୍ଗିବ ଭର୍ତ୍ସନା ବଚନ କହିରେ ।
ଧର୍ମ ଯେହୁ ନିନ୍ଦିବେ ।
ଧୂଳି ପ୍ରାଏ ଚୂର୍ତ୍ତ ହୋଇ ଯିବେରେ ।୩୮।
ନିଦ୍ରା ନ ମାଡ଼ଇ ଅନ୍ନ ନ ରୁଚଇ ଦେଖି ଭକତଙ୍କ ଦୁଃଖ ।
ନିଜ ଗୁରୁ ହୋଇ ତୁମ୍ଭେ ନ ରଖିଲେ ବୁଡ଼ିବ ତୁମ୍ଭର ଭେକ ଯେ ।
ନିଜ ମହିମା ମେରୁ ।
ନେଇ ଭକ୍ତଙ୍କୁ ରଖ ଦୁସ୍ତରୁ ।୩୯।
ନିଜ ଗୁରୁ ଆମ୍ଭେ ଡାକି କହୁଅଛୁ ଶୁଣରେ କୁମରମଣି ।
ନୋହିଲେ ଯିବ ଏ ତ୍ରିପୁର ସଂସାର କାଳଚକ୍ରେ ହେବ ହାଣିରେ ।
ନାହିଁ ନୋହିବ ବାସ ।
ନିଶ୍ଚେ ହୋଇବ ପୃଥ୍ୱୀ ଉଶ୍ୱାସ ।୪୦।
ପ୍ରଭୁପଣେ ପୂରି ରହିଛ ଆପଣ ପରମ ତୁମ୍ଭର ଦାସ ।
ପରାପର ନୁହ ପୂରି ରହିଥାଅ ଆଉ ମୁଁ କହିବି କିସ ଯେ ।
ପୂର୍ଣ୍ଣାନନ୍ଦ ମହିମା ।
ପ୍ରଭୁ ପଣକୁ ଏକା ଉପମା ।୪୧।
ପ୍ରତ୍ୟେ କରି ମୋର ପାଦପଦ୍ମ ଧ୍ୟାଇ ଅନୁସରି ରହିଥାଅ।
ପ୍ରଳୟ ପ୍ରକୃତି ବାଧା ନ ଲାଗିବ ପରାପର ସମ ଚାହିଁ ରେ ।
ପାଶୋରିବ ନାହିଁ ଚିତ୍ତୁ ।
ପ୍ରଚେ କରିଦେବି ପୂର୍ବ ହେତୁ ।୪୨।
ଫେଡ଼ିକହ ପ୍ରଭୁ କେତେ ଦିବସରେ ଆସିବ ଏ ଧରତୀକି ।
ଫୁରୁଣା ହୋଇବୁ କର୍ଣ୍ଣମୂଳେ ଶୁଣି ନୟନ ଗୋଚର ଦେଖି ଯେ ।
ଫେଡ଼ିଦିଅ ସଂଶୟ ।
ଫୁଟ୍ମନୁଭ୍ରାନ୍ତି କହିଦିଅ ।୪୩।
ଫେଡ଼ି ଶୂନ୍ୟବାସୀ କହନ୍ତି ଆଶ୍ୱାସୀ ଅବତାର ଆମ୍ଭେ ନୋହୁ ।
ଫେରୁଥାଉ ଏହିପରି ଚାରିଯୁଗେ ବୁଦ୍ଧ ଶରୀରଟି ବହୁରେ ।
ଫେରୁ ଏ ବସୁନ୍ଧରୀ ।
ଫେଡ଼ି କହି ଦେଉଛୁ ବିସ୍ତାରି ।୪୪।
ବାଇ ପ୍ରାୟ ହୋଇ ଜଣାଣ କରୁଛ କୋପ ନ କରିବ ଚିତ୍ତେ ।
ବାରମ୍ଭାର ପାଦ ଗତେ ଜଣ ଉଛି ତ୍ରାହିକର ପ୍ରଭୁ ମୋତେ ଯେ ।
ବ୍ରହ୍ମଗୁରୁ ଅନାଦି ।
ବ୍ରହ୍ମାଣ୍ତ ରଖ ପ୍ରଭୁ ସମ୍ପାଦି । ୪୫।
ବୁଦ୍ଧରୂପ ଧରି ଇଚ୍ଛାରେ ବିହରି ଏ ବ୍ରହ୍ମାଣ୍ତେ ବୁଲୁଥାଏ ।
ବୃକ୍ଷର ବକଳ ପିନ୍ଧାଇ ଭକ୍ତଙ୍କୁ ଭାବରେ ଦର୍ଶନ ଦିଏରେ ।
ବହି ବୁଦ୍ଧ ଶରୀର ।
ବ୍ୟୟ ଆୟ ନାହିଁନା ମୋହର ।୪୬।
ଭୟ ନିବାରଣ ଭକତ ତାରଣ ଅଖିଳ କରତା ଗୁରୁ ।
ଭାବ ଭକ୍ତି କଥା କେମନ୍ତ ବାରତା ଆଜ୍ଞା ହେଉ ଶ୍ରୀମୁଖରୁ ଯେ ।
ଭାବେ କହ ଗୋସାଇଁ ।
ଭକ୍ତ କେମନ୍ତ ଲୋକଙ୍କୁ କହି ଯେ ।୪୭।
ଭକତ ଲକ୍ଷଣ ଅଟଇ ନିର୍ଗୁଣ କାହାକୁ ଅନ୍ତର ନାହିଁ ।
ଭାଇ ବନ୍ଧୁ ପ୍ରାଏ ସମାନରେ ଚାହିଁ ଏକ ଆତ୍ମା ମଣୁଥାଇରେ ।
ଭଜୁଥାଇ ମୋ ନାମ ।
ଭାବେ ମୋ ପାଦେ ପଶେ ଶରଣ ।୪୮।
ମହାମହିମା ମେଦିନୀ କେଉଁ ରୂପେ କଲ ହେ ପ୍ରଭୁ ଭିଆଣ ।
ମହା ସଂଶୟ ଲାଗିଲା ଗୁରୁ ମୋତେ ବୁଝାଇ କହ ଆପଣ ଯେ ।
ମହାପୁରୁଷ ହୋଇ ।
ମାୟାଜାଲ କଲ କାହିଁ ପାଇଁ ଯେ ।୪୯।
ମହାଶୂନ୍ୟ ଶିଖେ ରହିଅଛୁ ଏକା ନିଶ୍ୱାସୁ ମରୁତ ହେଲା ।
ମେରୁ ମନ୍ଦରକୁ ମଣିଲୁ ମେଦିନୀ ମନୁ ବ୍ରହ୍ମା ବୋଲାଇଲାରେ ।
ମନୁ ଜଗତ ହେଲା ।
ମାୟା ଆଦିଶକ୍ତି ବୋଲାଇଲା ।୫୦।
ଜଣାଣ କରୁଛି ଚରଣ ଧରୁଛି ପଡ଼ୁ୍ରଛି ପାଦତଳ ।
ଜଗତରେ ପ୍ରଭୁ କେମନ୍ତ ପ୍ରକାରେ ସତ୍ୟ ଧର୍ମକୁ ସ୍ଥାପିଲେ ଯେ ।
ଜାଣି ନ ଥିଲେ କେହି ।
ଜଗତକୁ ମାୟା ଥିଲା ମୋହି ।୫୧।
ଯେଉଁ ଦିନୁ କଳି ଦଶସସ୍ର ବର୍ଷ ଭୋଗ ହୋଇଗଲା ପୂର୍ଣ୍ଣ ।
ଜଗନ୍ନାଥ କ୍ଷେତ୍ରେ ପ୍ରବେଶ ହୋଇଲୁ ବୁଦ୍ଧ ଶରୀର ବହିଣ ସେ ।
ଜଗନ୍ନାଥ ଜାଣିଲା ।
ଜାଣି ମୋ ଚରଣ ସେବାକଲା ।୫୨।
ରଚିଲ ବ୍ରହ୍ମାଣ୍ତ ପୃଥ୍ୱୀ ନବଖଣ୍ତ କେଉଁଠାରୁ କଲ କିସ ।
ରହିଥିଲ କେଉଁଠାରେ ମଠ କରି କାହିଁରେ ତୁମ୍ଭ ପ୍ରବେଶ ଯେ ।
ଋଷି କାହୁଁ ହୋଇଲେ ।
ରହି କେଉଁଠାରେ ସେବାକଲେ ।୫୩।
ରହି ନାହିଁ କାହିଁ କପିଳାସେ ଯାଇଁ ଗୋବିନ୍ଦ ଦାସ ଭେଟିଲା ।
ରତ୍ନ ବସ୍ତ୍ର ଆୟ ଅଳଙ୍କାର ତେଜି ଶୂନ୍ୟ ଘରୁ ବାନା ନେଲାରେ ।
ଋଷି ଭକ୍ତେ ହୋଇଲେ। ରହି ଆଜ୍ଞା ସେବାରେ ଖଟିଲେ ।୫୪।
ଲୋଡ଼ି ଶୂନ୍ୟପଦ କରିଛି ସମ୍ପଦ ଅବନା ମନ୍ଦିରେ ଭେଦ ।
ଲୟଦ୍ୱାରେ ପ୍ରଭୁ ଯାହା କହିଦେଲ ତାହା ମୁଁ କଲି ସମ୍ପାଦ ଯେ ।
ଲେଖି ନୁହେ ମହିମା ।
ଲୟେ ନ ଜାଣିଲେ ବେଦବ୍ରହ୍ମା ।୫୫।
ଲୟ କରି ଦେଖ ମହାଶୂନ୍ୟ ଶିଖ ଉପରେ ରହିଛି ଏକା ।
ହୋଇବ କାରଣ ଅନୁମାନେ ଚିହ୍ନ ଫିଟିବ ସକଳ ଦକାରେ ।
ଲମ୍ବ ଛୋଟ ମୋ ନାହିଁ ।
ଲାଗି ଦେଖ ଅଲଗାରେ ଥାଇ ।୫୬।
ବଡ଼ ହୋଇ ପ୍ରଭୁ ତୁମ୍ଭଠାରୁ ଆଉ ଏ ବ୍ରହ୍ମାଣ୍ତେ କେହି ନାହିଁ ।
ବିନତି କରିଣ ପାଦେ ଜଣାଉଛି ବ୍ରହ୍ମଜ୍ଞାନୀ କେ ବୋଲାଇ ଯେ ।
ବଚନରେ କୁହସାର ।
ବ୍ରହ୍ମଜ୍ଞାନୀଙ୍କ କେଉଁ ବିଚାର ।୫୭।
ବୋଲନ୍ତି ଅଲେଖ ମନେ କରି ଏକ ବ୍ରହ୍ମଜ୍ଞାନୀ ଯେ ବୋଲାଇ ।
ବାଚ୍ଛନ୍ଦ ବିଚାର ସବୁ ସମାଚାର, ଧର୍ମଦାଣ୍ତେ ଭିକ୍ଷା ଖାଇରେ ।
ବାରଣ ନାହିଁନା ତାର ।
ବିଶ୍ରାମ କରେ ଗ୍ରାମ ବାହାର ।୫୮।
ଶ୍ରୀ ସ୍ୱାମୀ ହେ ବ୍ରହ୍ମା ସବୁଠାରେ ସମ ଏ ଘଟେ ଅଛକି ରହି ।
ସ୍ୱୟଂ ବ୍ରହ୍ମ ହୋଇଅଛ ତୁମ୍ଭେ ମହୀ କେଉଁ ଦୃଷ୍ଟିରେ ନ ଚାହିଁ ଯେ ।
ସର୍ଜି କିମ୍ପର ବ୍ରହ୍ମାଣ୍ତ ।
ଶାନ୍ତି ନ କରୁଛ ଦେଇ ମଣ୍ତ । ୫୯।
ଶ୍ରୀ ଅଲେଖ କହେ ଶୁଣରେ ତନୟେ ପଚାରିଲୁ ମୋତେ ଯାହା ।
ଶହେ ଶୂନ୍ୟ ତାରା ଚନ୍ଦ୍ରକିରଣ ଯେ ଏ ଅଟେ ମୋହର ଛାୟାରେ ।
ଶୂନ୍ୟ ପବନ ପରି ।
ସେହି ନିତ୍ୟରୁ ସର୍ବେ ସଞ୍ଚରି ।୬୦।
ସେହି ନିତ୍ୟପୁରେ କାଳକାମ ନାହିଁ କାହୁଁ ହୋଇଲା ଜନମ ।
ସ୍ୱାମୀ ମୋତେ କହ ସଂଶୟ ଫିଟାଅ ସେ ସନ୍ଧି ଭେଦ ମରମ ।
ସେହି କାଳ କାମିନୀ ।
ସୁଜ୍ଞାନୀଙ୍କୁ ନ ପାରଇ ଜିଣି ।
ଶ୍ରୀ ଅଲେଖ କହେ ବଟମୂଳ ଠାଏ କାମାକ୍ଷୀ ଜଗିଛି ଦ୍ୱାର ।
ସେ ଦେବୀ ଯାହାକୁ ବାଟ ଛାଡ଼ିଦେବ ସେ ଯୋଗୀ ସିଦ୍ଧ ଅମରରେ ।
ସେ କ୍ଷେତ୍ରଜ୍ଞ ପ୍ରମାଣ ।
ସତ୍ୟ ଶାନ୍ତି ଦୟା ଧର୍ମେ ପୂର୍ଣ୍ଣ ।୬୨।
ଶରଣ ପଶୁଛି ତିରଣ ଧରୁଛି ପଡ଼ୁଅଛି ପାଦଗତେ ।
ସ୍ୱୟଂବ୍ରହ୍ମ ହୋଇ କାଳକାମ ଦୁଇ ଜାତକଲ କି ନିମନ୍ତେ ଯେ ।
ସେତ କାଳ କଳ୍ପନା ।
ଶିବ ବ୍ରହ୍ମାଙ୍କ କରଇ ବଣା ।୬୩।
ସଦଗୁରୁ ଆମ୍ଭେ ନିମଗନେ ଅଛୁ ଶୂନ୍ୟେ ଲଗାଇଛୁ ଲୀଳା ।
ସାତ ବଖରାକୁ ବତିଶ ପାବଚ୍ଛ ଚାରି ଦିଗେ ଦିଶେ ମେଳାରେ ।
ସତ ଅଷ୍ଟ ଉତ୍ତର ।
ସେହି ମହାନିତ୍ୟର ଭିତର । ୬୪।
ହରତା ହେଉଛ ଅନାଦି ପୁରୁଷ ହତ୍ୟା ଲାଗିବ ତୁମ୍ଭଙ୍କୁ ।
ହରିହର ବ୍ରହ୍ମା ଧରତି ଆକାଶ ଚାହିଁଛନ୍ତି ଶ୍ରୀ ଆଜ୍ଞାକୁ ଯେ ।
ହିତକାରୀ ଗୋସାଇଁ ।
ହେଜି ତିଆରି କରିଛ ମହୀ । ୬୫।
ହାକି କହୁଅଛି ଶୁଣରେ କୁମର ହୁକୁମ ମୋହର ଗାଢ଼ ।
ହରିହରବ୍ରହ୍ମା ଭେଟ ନ ପାଇଲେ ହଜି ରହିଛି ନିଗୁଢ଼ରେ ।
ହରି ଲୀଳାଟି ସତ୍ୟ ।
ହଂସ ଧରିଛି ବେନି ମରୁତ । ୬୬।
କ୍ଷମା ଦୟାସିନ୍ଧୁ ଭକ୍ତ ପ୍ରାଣବନ୍ଧୁ ଶ୍ରୀଚରଣ ତଳେ ଧ୍ୟାଇ ।
କ୍ଷିତିପରେ ଆସି ବିଜେ କରିଅଛ କ୍ଷମେ ଭଣେ ଭୀମ ଭୋଇ ଯେ ।
କ୍ଷମାକର ମୋ ଦୋଷ ।
କ୍ଷଣେ ଜଣାଉଛି ହୀନ ଦାସ ।୬୭।
କ୍ଷିର୍ଣ୍ଣରୂପ ଧରି ଇଚ୍ଛାରେ ବିହରି ଶୂନ୍ୟେ ତୋଳାଇବୁ ଗାଦି ।
ଖେଳ ଲାଗିଅଛି ଅମନ ମନ୍ଦିରେ ଦୁଷ୍ଟ ଦାନବଙ୍କ ବାଦିରେ ।
ଖଟିଥାଅ ମୋ ପାଶ ।
ଖଣ୍ତି ଦେବି ଜନ୍ମ ମୃତ୍ୟୁ ଦୋଷ ଯେ ।୬୮।
କଳିଯୁଗେ କରତା ବିଜେ ଏ ରବିତଳେ ।
କାଳରୁ ଉଦ୍ଧରିବେ ଭଜିଲେ ଏତେବେଳେ ।
କରଯୋଡ଼ି କର ସେବା ହୋ ।
ଭକତି ଅଭୟ ପାଦତଳେ ହୋ ।୧।
କ୍ଷିରସିନ୍ଧୁ ବେହାରୀ କ୍ଷିତିର ମଧ୍ୟେ ସତେ ।
ଖଣ୍ତିବେ ପାପ ଭାରା କରିଛ ଯେତେ ।
ଖେଳ କଉତୁକ ହୋ ।
ନ ମଣ ବିଚାର ଅନ୍ତର୍ଗତେ ହୋ ।୨।
ଗୁରୁ ବିଜେ କରିଛନ୍ତି ଅନାଦି ଯୋଗେଶ୍ୱର ।
ଗର୍ବିତା ନାହିଁ ବହ ସୁଜ୍ଞାନୀ ସାଧୁନର ।
ଗୁରୁ ପ୍ରଭୁ ବ୍ରହ୍ମ ହୋ ।
ମୂରତି ମର୍ତ୍ତରେ ଅବତାର ହୋ ।୩।
ଘର ଦ୍ୱାର ତେଜିଣ ଭଜିବ ଯେଉଁ ଜନ ।
ଘଟ ମଧ୍ୟେ ଭେଦାଇ କହିବେ ବ୍ରହ୍ମଜ୍ଞାନ ।
ଘେନିଣ ଭକତ ବୃନ୍ଦ ହୋ ।
ହୋଇବେ କଳଙ୍କି ରୁପ ଜାଣ ହୋ । ୪ ।
ଅଲେଖ ନିରଞ୍ଜନ ବୋଲନ୍ତି ଯାହାକୁ ।
ଆପେ ସର୍ଜିଅଛନ୍ତି ଏ ପିଣ୍ତ ବ୍ରହ୍ମାଣ୍ତକୁ ।
ଏବେ କଳିଯୁଗେ ସେହି ହୋ।
ବିଜେ ଏ ନେତ୍ରରେ ଦେଖ ତାଙ୍କୁ ହୋ ।୫।
ଚନ୍ଦ୍ରମା ପରାଏକ ଉଦୟ ହୋଇଛନ୍ତି ।
ଚାହିଁଲେ ପୂର୍ବ ଦିଗେ ଫିଟିବ ମନୁ ଭ୍ରାନ୍ତି ।
ଚଉକତି ବ୍ରହ୍ମ ତେଜ ପଡ଼ୁଛି ଏ ନବଦ୍ୱୀପା ପୃଥ୍ୱୀ ହୋ ।୬।
ଛପନା କୋଟି ଜୀବଙ୍କୁ ତାରିବାର ପାଇଁ ।
ଛଳେ ବୁଦ୍ଧ ଅବତାର ବୈଷ୍ଣବ ଗୋସାଇଁ ।
ଛାଡ଼ିଛନ୍ତି ନିଜ ନାମ ମହିମା ଧରମ ଡାକ ଦେଇ ହୋ ।୭।
ଜାଗ୍ରତ ଚିତ୍ତେ ଭଜ ଜଗତ କରତାଙ୍କୁ ।
ଯୁଗଶେଷ ହେଲାଣି ନେତ୍ରରେ ଦେଖୁ ଦେଖୁ ।
ଜାତି ଯିବ ବୋଲି ନରେ ନ ବୋଲି ସୁଜ୍ଞାନ ଧରମକୁ ହୋ ।୮।
ଝଟକୁ ଅଛି ହଂସ ଅବନା ମନ୍ଦିରରୁ ।
ଝରୁଛି ମକରନ୍ଦ ଅଭୟ ଶ୍ରୀପୟରୁ ।
ଝଳି ଦିଶୁଅଛି ବ୍ରହ୍ମ ସ୍ୱରୂପ ଅନାଦି କଳ୍ପତରୁ ହୋ ।୯।
ନିରଞ୍ଜନ ପୁରୁଷ ସେ ଠୁଳ ଶୂନ୍ୟ-ବାସୀ ।
ନିନ୍ଦିତ କର ନାହିଁ ବ୍ରହ୍ମରେ ହେବ ଦୋଷି ।
ନିଶି ଦିବସରେ ନାମ ମହିମା, ଭଜନ କର ବସି ହୋ ।୧୦।
ଟେକି ଧରି ଅଛନ୍ତି ଏ ପିଣ୍ତ ବ୍ରହ୍ମାଣ୍ତକୁ ।
ଟାଣ ଶୂନ୍ୟ ବାନାରେ ଘୋଡ଼ାଇ ସମସ୍ତଙ୍କୁ ।
ଟାକିଥିବ ଯେହୁ ଝିଆ ପର୍ଯ୍ୟନ୍ତେ ଦେଖିବ ମହିମାକୁ ହୋ ।୧୧।
ଠାକୁର ଆସି ଅଛନ୍ତି ନବଖଣ୍ତ ମହୀ ।
ଠାବ ନ ମିଳୁଅଛି ଅଛନ୍ତି ଠିଆ ହୋଇ ।
ଠିକେ କହେ ଭୀମସେନ ଅର୍କ୍ଷିତ ଦର୍ଶନ କର ଯାଇଁ ହୋ ।୧୨।
ଡାକ ଦେଉ ଅଛନ୍ତି ଶରଣ ପଶ ଆସି ।
ଡ଼ିଙ୍ଗର ଦୁଷ୍ଟ ସନ୍ଥ ଯେ ଅଛ ମୁନି ଋଷି ।
ଦଣ୍ତ ପଡ଼ୁଅଛି କଳି ଯୁଗରେ ପାପରେ ଯିବ ଭାସି ହୋ ।୧୩।
ଢାଙ୍କି ପକାଉଅଛି ଏ ପିଣ୍ତ ବ୍ରହ୍ମାଣ୍ତକୁ ।
ଢାଳି ଶୂନ୍ୟ ବାନାରେ ଘୋଡ଼ାଇ ସମସ୍ତଙ୍କୁ ।
ଢାଉ ରଙ୍ଗେ ପଡ଼ି ନାଶ ନ କର ଦୁର୍ଲଭ ଜନମକୁ ହୋ ।୧୪।
ଅଣାକାର ସ୍ୱରୂପୀ ଅନାଦି ଶୂନ୍ୟ ରୂପୀ ।
ଅନାଇଲେ ସର୍ବତ୍ରେ ରହିଣଛନ୍ତି ବ୍ୟାପୀ ।
ଆଶ୍ରୟ କର ହେ ସେହି ପାଦକୁ ଏ ପିଣ୍ତ ପ୍ରାଣ ବିକି ହୋ ।୧୫।
ତତ୍ତ୍ୱ କରି ଧଇଲେ ବିଚାରି ହୃଦୟରୁ ।
ତରିଯିବ ସମସ୍ତେ ଏ ଘୋର ନରକରୁ ।
ସ୍ତିରୀ ବାଲ୍ୟ ବୃଦ୍ଧ ଯୁବା ସମସ୍ତ ଉଦ୍ଧାରି ନେବେ ଗୁରୁ ହୋ ।୧୬।
ଥାଉଁ ଥାଉଁ ଏ ଘଟରେ ହେତୁ ଚେତା ବୁଦ୍ଧି ।
ଥୟ କର ମନକୁ ଲଭିବ ସର୍ବ ସିଦ୍ଧି ।
ସ୍ଥିତି ନ ମିଳିବ ନିଶ୍ଚେ ପଛକୁ ଘୋଟିଲେ ଭବନଦୀ ହୋ ।୧୭।
ଦାସ ଦାସୀ ହୋଇଣ ଚରଣେ ସର୍ବେ ଖଟ ।
ଦିବାନିଶି ଭଜିଲେ ଫିଟିବ ଦୁଃଖ କଷ୍ଟ ।
ଦୟା ହୋଇବ ଯେବେ ଶ୍ରୀଛାମୁରୁ ପାଇବ ନିଶ୍ଚେ ଭେଟ ହୋ ।୧୮।
ଧର୍ମବନ୍ତ ପୁରୁଷ ସେ ମହାଶୂନ୍ୟ ଦେହୀ ।
ଧରଣୀ ମଣ୍ତଳରେ ମାନବ ରୂପ ହୋଇ ।
ଧର ଧର ଏବେ ସେହି ପାଦକୁ ମୁକତି ଦେବେ ସେହି ହୋ ।୧୯।
ନବଖଣ୍ତ ମେଦିନୀରେ ମହିମା ଶବଦ ।
ନାମ ବ୍ରହ୍ମ ପଦକୁ ହୃଦରେ କର ଭେଦ ।
ନିଶି ଦିବସରେ ଯେହୁ ଭଜିବ ହୋଇବ ଅଙ୍ଗ ସିଦ୍ଧ ହୋ ।୨୦।
ପୂର୍ଣ୍ଣନନ୍ଦ ପୁରୂଷ ପରମ ଗୁରୁଦେବ।
ପୂର୍ବ ହେତୁ ସୁମରି ଚରଣେ କର ଭାବ ।
ପାତକକୁ ନାଶି ସେହୁ ତାରିବେ ଛପନା କୋଟି ଜୀବ ହୋ ।୨୧।
ଫୁକାବନ୍ଧ ପରେ ଫଣି ମଣିର ଉପରେ ।
ଫୁଟିଅଛି ଜ୍ଞାନ-ବ୍ରହ୍ମ ବିଜୟ ସେ ଠାବରେ ।
ଫୁଲ କେଶର ଉପରେ ଶୟନ ଅବନା ମନ୍ଦିରେ ହୋ ।୨୨।
କେଦ ମାନେ ପାବଚ୍ଛ ହୋଇ ଅଛନ୍ତି ଯହିଁ ।
ବୈକୁଣ୍ଠ ଭୁବନ ତାହାକୁଟି କହି ।
ବାରଣ ନ ଯାଇ ଦିବା ରଜନୀ ଏମନ୍ତ ପୁର ସେହି ହୋ ।୨୩।
ଭରସି ପେଲି ପଶ ନ ଡର ଅନ୍ଧାରକୁ ।
ଭୟ ଭ୍ରାନ୍ତି ତ୍ୟାଗ କରି ବଳାଅ ମନକୁ ।
ଭୀମ ଅରକ୍ଷିତ ଡାକି କହୁଛି ବୁଝାଇ ସମସ୍ତଙ୍କୁ ହୋ ।୨୪।
ମନୁଷ୍ୟ ଜନ୍ମ ହୋଇ ଶ୍ରୀଗୁରୁ ସେବା କର ।
ମାୟା ମୋହକୁ ତେଜି ନାମ ବ୍ରହ୍ମକୁ ଆଶ୍ରେ କର ।
ମୃତ୍ୟୁ ଦେବ ଛାର କିଶ କରିବ ହୋଇବ ଅଜ୍ରାମ୍ବର ହୋ ।୨୫।
ଜୀଇବ ପଥ ଧର ତରିବ ଭବ ବାରି ।
ଜଳେ ବୁଡ଼ି ମର ନାହିଁ ପଥର ବାନ୍ଧି କରି ।
ଜୀବ ଥାଉଁ ଥାଉଁ ଏହି ପିଣ୍ଡରେ ନାମରେ ହୁଅ ପାରି ହୋ ।୨୬।
ରଙ୍ଗ ପସରାରେ ଭୁଲି ନ ମର ସୁଜ୍ଞଜନ ।
ନାମ ବ୍ରହ୍ମ ପଦକୁ ହୃଦରେ କର ଧ୍ୟାନ ।
ରଖ ରଖ ସର୍ବେ ଧର୍ମ କୀରତି ସଂସାରରେ ଯଶ ଗୁଣ ହୋ ।୨୭।
ଲକ୍ଷେ ଯୁଗ ଗଲାଣି ବାହାରି ଏହିପରି ।
ଲୋଭ ମୋହ ନ ଛାଡ଼ି ଅନେକ ଗଲେ ମରି ।
ଲାଗି କର ନିତି ସେବା ଭକତ ଅଭୟ ପାଦ ଧରି ହୋ ।୨୮।
ବ୍ରହ୍ମ ବୋଲିବାର କଥା ସମସ୍ତେ ବୋଲୁଛନ୍ତିୁ ।
ବଡ଼ିମା ପଣରେ କେହି ଭେଟ ନ ପାଆନ୍ତି ।
ବହି ଗୁରୁ ଆଜ୍ଞା ଶିର ଉପରେ ନାମରେ ହୁଅ ପ୍ରୀତି ହୋ । ୨୯।
ସ୍ୱର୍ଗପୁରେ ବସିବ ଅମୃତ ଭୋଗ ଭୁଞ୍ଜି ।
ଶିରୋମଣି ଠାକୁର ସକଳ ଦେବେ ଖଞ୍ଜି ।
ଶିର ପାଦତଳେ ନେଇ ଲଗାଅ ବେଦର ସାର ଭୁଞ୍ଜି ହୋ ।୩୦।
ଶୂନ୍ୟର ପୁରୁଷ ଆସି ଅଛନ୍ତି ମର୍ତ୍ତ୍ୟକୁ ।
ସକଳ ଛାଡ଼ି ଭଜ ଅଲେଖ ମହିମାଙ୍କୁ ।
ସତ୍ୟ ରୂପୀ କର ବିଶ୍ୱାସ ସେ ଶୂନ୍ୟ ସ୍ୱରୂପକୁ ହୋ ।୩୧ ।
ସୁତ ବିତ୍ତ ଧନକୁ ପ୍ରଦାନ କର ବଳେ ସମର୍ପି ଦିଅ ନେଇ ଶ୍ରୀଗୁରୁ ପାଦତଳେ ।
ସତେ ପୁରୁଷକୁ ଆପେ ତାରିବ ପୂର୍ବର ଭାଗ୍ୟ ଥିଲେ ହୋ ।୩୨।
ହରଷେ ନାମ ଧ୍ୱନି ହୃଦରେ କର ଭାବ ।
ହୋଇଅଛ ଜନମ ଛପନା କୋଟି ଜୀବ ।
ହଜାଅ ନାହିଁ ଯେ ନିଜ ନାମକୁ ପଶ୍ଚାନ୍ତେ ବଣା ହେବ ହୋ ।୩୩।
କ୍ଷିର୍ଣ୍ଣ ବୁଦ୍ଧ ଅବତାରେ ସତ୍ୟାଦି ଧର୍ମ ସ୍ଥାପି ।
ଖେଳ ଭିଆଇଲେ ସେ ଅନାଦି ଶୂନ୍ୟରୂପୀ ।
କ୍ଷମେ ଭଣେ ଭୀମସେନ ଅର୍କ୍ଷିତ ଏ ପିଣ୍ତ ପ୍ରାଣ ବିକି ହୋ ।୩୪।
କର୍ମ ଆଦରି ଥାଅ ସର୍ବେ,
କଳଙ୍କିରୂପ ପ୍ରଭୁ ହେବେ ।୧।
କ୍ଷିତିରେ ରହି ଧର୍ମଧର,
କ୍ଷମା କରିବେ ମହୀଭାର ।୨।
ଗୁରୁ ଗୋପ୍ୟାନ ହୋଇଛନ୍ତି,
ଗାରିମା ପଣ ବୁଝୁଛନ୍ତି ।୩।
ଘେନି ସଙ୍ଗତେ ଜ୍ଞାନ ଧର୍ମ,
ଘଟ ସମାଧି ହେଲେ ବ୍ରହ୍ମ । ୪।
ଅବନା ମଣ୍ତଳରେ ଯାଇ,
ଅଜ୍ଞାତ ରୂପେ ଛନ୍ତି ରହି ।୫।
ଚାରୁ ଚରଣ ବ୍ରହ୍ମାଣ୍ତକୁ ଚେତାଇ ଦେଲେ ଭକତଙ୍କୁ ।୬।
ଛାଡ଼ି ନ ଯାଅ ଧରିଥାଅ,
ଛ ବେଦ ପରେ ମଦଥୁଅ ।୭।
ଯାଣୁତ ଅଛ ଯୁଗ କଳି,
ବୁଝିଛ ହୋଇ ମହାବଳୀ ।୮।
ଝାଡ଼ ପର୍ବତ ଗ୍ରାମ ବନ ଝିମଣ୍ତେ ରହୁ ନାହିଁମନ ।୯।
ନିଷ୍କାମଭାବେ ଯେହୁ ଥିବ,
ନାରାୟଣଙ୍କୁ ସେ ଦେଖିବ ।୧୦।
ଟିଆକୁ ଟାକି ଥିଲେ ରହି,
ଟୁରା ଛେଉଣ୍ତା ପ୍ରାଏ ହୋଇ ।୧୧।
ଠାକୁର ଉଦେ ହେବେ ମହୀ,
ଠିକେ କହଇ ଭୀମଭୋଇ ।୧୨।
ଡୋର କୌପୁନୀ ନ ଓହ୍ଲାଅ,
ଡାକି କହୁଛି ପିନ୍ଧି ଥାଅ ।୧୩।
ଢେଉକୁ କରି ମହାଭୟେ,
ଢଳି ନ ପଡ଼ି ମାୟା ମୋହେ ।୧୪।
ଅଣ ଅକ୍ଷର କର ଲୟେ,
ଅନାଦି କରିବେ ବିଜଏ ।୧୫।
ତିନି ବରଷ ଅଛି କଣ୍ଟ,
ତହୁଁ ସେ ବଦଳିବେ ଘଟ ।୧୬।
ସ୍ଥାପି ଆସୁଛି ଆଗତକୁ,
ସ୍ଥିତି ସେ ଦେବେ ଭକତଙ୍କୁ ।୧୭।
ଦଇବ ଭିଆଣ ଏ କଥା,
ଦେହରୁ ନ ବୁଡ଼ାଅ ଚେତା ।୧୮।
ଧରିଥା ଧର୍ମପଥକୁ,
ଧ୍ୟାୟିଣ ଏକା ଅକ୍ଷରକୁ ।୧୯।
ନିଶ୍ଚୟେ ପ୍ରଭୁ ଉଦେ ହେବେ;
ନବୀନ ରୂପ ପ୍ରକାଶିବେ ।୨୦।
ପୃଥୀରେ ପାପ ହେଲା ଯହୁଁ ପ୍ରଳୟ ହେଲେ ବ୍ରହ୍ମ ତହୁଁ ।୨୧।
ଫେଡ଼ିଲେ ସତ୍ୟାଦି ଧର୍ମକୁ,
ପୂର୍ଣ୍ଣ ନୋହିଲା କାମନାକୁ । ୨୨।
ବୀର କଳଙ୍କି ରୂପ ହେବେ,
ବୁଦ୍ଧ ସମାଧି ଉଠାଇବେ ।୨୩।
ଭଗତେ ପାଇବେ କଷଣ,
ଭାବି କହଇ ଭୀମ ହୀନ । ୨୪।
ମହିମା ଉଠିବେ ସାକ୍ଷାତେ,
ମାନିବେ ତ୍ରିପୁର ଜଗତେ ।୨୫।
ଜଗତ୍ର ଜନ ପିତା ସେହି,
ଯୁବାକୁ ଯୋଗୀ ବେଶ ହୋଇ । ୨୬।
ରସା ମେଦିନୀ ପାପଭାରା,
ରକ୍ଷା ନୋହିଲା ଧର୍ମ ଧାରା ।୨୭।
ଲାଗିଲା ସତ୍ୟରେ କଳଙ୍କ,
ଗୋପ୍ୟ ହୋଇଲେ ବୁଦ୍ଧରୂପ ।୨୮।
ବଦଳ ହେଲେ ନିଜ ପିଣ୍ତ,
ବୋବାଳି ଉଠିବ ବ୍ରହ୍ମାଣ୍ତ ।୨୯।
ସାରି ସକଳ ବିଧିମାନ,
ଶୂନ୍ୟକୁ ବିଜେ ସ୍ୱାମୀ ଜାଣ ।୩୦।
ଶକତା ଭଗତ ଯେ ହେବ,
ପ୍ରଭୁଙ୍କୁ ଦର୍ଶନ କରିବ ।୩୧।
ଶୂନ୍ୟ ହୋଇଛି ଏ ବ୍ରହ୍ମାଣ୍ତ,
ସତ୍ୟକୁ ପଡ଼ୁଅଛି ଦଣ୍ତ ।୩୨।
ହୀନ ଅବସ୍ଥା ଭକ୍ତେ ପାଇ,
ହାଡି ଚାଣ୍ତାଳ ପ୍ରାଏ ହୋଇ ।୩୩।
କ୍ଷମା ମହିମା ପାଦ ବିନ୍ଦ;
କ୍ଷମେ ଭଣିଲା ଭୀମ କନ୍ଧ ।୩୪।
ଖରାପ ହୋଇଗଲେ ପିଣ୍ତ,
ଖତମ ହୋଇବ ବ୍ରହ୍ମାଣ୍ତ ।୧।
ହରି ଯେ ନୁଆରି ରଚନା,
ହରଷେ କରିବେ ସ୍ଥାପନା ।୨।
ଶୁଭ କରିବେ ଶୂନ୍ୟଦେହୀ,
ଶଙ୍ଗ ଚତ୍ରାଦି ଗଦା ବହି ।
ସମ୍ଢାଳି ଧରିବେ ସେ କ୍ଷିତି,
ଶିରୁ ଉଶ୍ୱ ସି ବସୁମତୀ ।୪।
ଶୁର ସିଦ୍ଧଙ୍କୁ ଦେବେ ଠାବ,
ସତ୍ୟାଦି ବସାଇବେ ଯୁଗ । ୫।
ବିଦିତ ହୋଇଲେ ସଂସାର,
ବୁଝିବେ ବ୍ରହ୍ମାଣ୍ତ ଠାକୁର ।୬।
ଲାବଣ୍ୟ ରୂପ ପ୍ରଭୁ ହେବେ,
ଲୁଚି ଗୁପ୍ତରେ କରାଇବେ ।୭।
ରବିତଳରେ ଯେତେ କଥା,
ରହିବ ଯୁଗେ ୨ ପୋଥା ।୮।
ଯୁଗ କରୁଛି ନଟ କୁଟ,
ଜୀବନେ ପଡ଼ୁଛି ଶଙ୍କଟ ।୯।
ମହିମା ହୋଇବେ ଉଦୟେ,
ଭୀମ ଅର୍କ୍ଷିତ ଫେଡ଼ି କହେ ।୧୦।
ଭୟରେ ନ ପଳାଅ ଛାଡ଼ି,
ଭଜ ସାତ୍ତ୍ୱିକ କର୍ମେ ଜଡ଼ି ।୧୧।
ବୈକୁଣ୍ଠ ଭୁବନେ ବସିବ,
ବ୍ରହ୍ମ ଅଙ୍ଗରେ ଲୀନ ହେବ ।୧୨।
ଫଣି ମଣି ଶିଖରେ ହର,
ଫୁକା ମଣ୍ତଳରେ ବିଦାର ।୧୩।
ପୂର୍ଣ୍ଣାନନ୍ଦଟି ସେହୁ ଅଟେ,
ପରଚେ ହୁଅ ଆପ ଘଟେ । ୧୪।
ନନ୍ଦ ଅଦ୍ଭୁତ ନାମ ତାର,
ନିଷ୍କାମ ନିର୍ଗୁଣେ ବିହାର ।୧୫।
ଧର୍ମ ସେ ଅଟଇ ସାକ୍ଷାତେ,
ଧର ନିର୍ଗୁଣ ଯୋଗପଥେ ।୧୬।
ଦୟାଳୁ ପୁରୁଷ ଅଟନ୍ତି,
ଦର୍ଶନେ ଦୃଶ୍ୟ ହେଉଥାନ୍ତି । ୧୭।
ଥରକୁ ଥର ଭକ୍ତ ପାଶେ,
ତମ୍ବ ବନ୍ଧନ ଭାବ ବଶେ । ୧୮।
ତିନି ବ୍ରହ୍ମାଣ୍ତ ସୁଖ ଛାଡ଼ି,
ନିତ୍ୟ ସାତ୍ତ୍ୱିକ କର୍ମେ ଜଡ଼ି । ୧୯।
ଆଦିଟି ଜଗନ୍ନାଥ କହି,
ଅନାଦି ଅରୂପ ଅଟଇ ।୨୦।
ଢମରେ ବୁଡ଼ିଛନ୍ତି ପ୍ରାଣୀ;
କାଳ ଚକ୍ରକୁ ସତ୍ୟମଣି ।୨୧।
ଡରି ନ ମର କରି ଶୋକ,
ଡାକି କହଇ ଭୀମ ମୂର୍ଖ ।୨୨।
ଠିକଣା ହେଲେ ସତ୍ୟଯୁଗ,
ଠାବ ପାଇବେ ସର୍ବ ଜୀବ । ୨୩।
ଟଳି ପଡ଼ୁଛି ଏ ବ୍ରହ୍ମାଣ୍ତ,
ଟିକାକେ ପଡ଼ୁଅଛି ଦଣ୍ତ ।୨୪।
ନିନ୍ଦା ହୋଇଲେ କଳିଯୁଗ,
ନାମ ଭଜିବ ଯେ ରହିବ ।୨୫।
ଝଡ଼ି ପଡ଼ିବେ ନର ବୃନ୍ଦ,
ଝାମ୍ପିବ କାଳ ମାୟା ଦ୍ୱନ୍ଦ ।୨୬।
ଜଗତେ ବିପରୀତ କଥା,
ଯୁଗରେ ନ ରହିବ ଚେତା ।୨୭।
ଛାନିଆଁ ହୋଇଯିବେ ଛାଡ଼ି,
ଛନକାମାୟା ମୋହେ ପଡ଼ି ।୨୮।
ଚେତାହିଁ ନ ରହିବ ପିଣ୍ତେ,
ଚମକ ପଡ଼ିବ ବ୍ରହ୍ମାଣ୍ତେ ।୨୯।
ଓଁ କାର ବହିଥିବା ଲୋକ,
ଅନ୍ଧ ପରାଏ ହେବେ ମୁକ ।୩୦।
ଘୋଟିବ ତିନି ବ୍ରହ୍ମାଣ୍ତରେ,
ଘାଣ୍ଟିବ ସବୁରି ହୃଦରେ ।୩୧।
ଜ୍ଞାନବନ୍ତରେ ଯେହୁଥିବେ ସର୍ବଥା ଗାରିମା ବହିବେ ।୩୨।
ଖରାପ ହେବ ସଦବୁଦ୍ଧି,
ଖେଳିବ ଘଟରେ କୁବୁଦ୍ଧି ।୩୩।
କ୍ରିୟା କର୍ମରେ ହେବେ ହତ,
କହଇ ଭୀମ ଅରକ୍ଷିତ । ୩୪।