ଯେ ଫୁଲ ଫୁଟିଥିଲା ଏ ମନ ଉପବନେ
ଜୀବନ ଉଷାଗମେ ସୁରଭି ବିତରଣେ,
ଗୋଟାଇ ଗୋଟି ଗୋଟି ସେ ଫୁଲ ପାଖୁଡ଼ାରେ
ଏ ମାଳା ଗୁନ୍ଥେ ଆଜି ବସି ମୁଁ ସରାଗରେ ।
‘ଯେ ଫୁଲ ଫୁଟିଥିଲା’- 'ସେ ଫୁଲ ଫୁଟୁଥିଲା' । ‘ଫୁଲ ଫୁଟିଥିଲା ମାତ୍ର' କହିଲେ ଯଥେଷ୍ଟ ଓ ଯଥାର୍ଥ ହେବନାହିଁ; ଫୁଲ ଫୁଟିଆସୁଥିଲା' ଓ ଏପରି ଭାବରେ ଫୁଟିଲା ଯେ, ଖାଲି ପଲ୍ଲବିତ ବଲ୍ଲରୀ ନୁହେ, ସମଗ୍ର ଉଦ୍ୟାନକୁ ଏକାବେଳକେ ମଣ୍ଡିଦେଇଗଲା - ଏହାହିଁ ବାସ୍ତବ କଥାର ଯଥାର୍ଥ ରୂପାୟନ ।
ସରସ-କବି ଗୋଦାବରୀଶ - ସ୍ଵଭାବ-କବି । କବିତା ତାଙ୍କର ସହଜାତ । କବିତ୍ୱର ସ୍ଫୂର୍ତ୍ତି ତାଙ୍କଠାରେ ଥିଲା ଏକ ନିତ୍ୟନୈମିତ୍ତିକ ପ୍ରବୃତ୍ତି । ସେଥିପାଇଁ ବାହ୍ୟ ପ୍ରଚୋଦନା କିମ୍ବା ବିଧିବଦ୍ଧ ପରିକଳ୍ପନାର ଆବଶ୍ୟକତା ନଥଲା । କବିଙ୍କର ଅଦ୍ୟାପି ଜୀବିତ ବାଲ୍ୟଗୁରୁବର୍ଗଙ୍କଠାରୁ ଜଣାଯାଏ, କିଶୋର ବୟସରେ ଏହି ପ୍ରବୃତ୍ତିର ବିସ୍ମୟକର ଅଭିବ୍ୟକ୍ତି ଘଟିଥିଲା; ଗ୍ରାମର ସାଙ୍ଗସାଥୀମେଳରେ ମଧ୍ୟ ତାଙ୍କର ଏହି ଶକ୍ତି ସରସତାର ବାତାବରଣ ସୃଷ୍ଟି କରୁଥଲା । ଜୀବନର ଆଦ୍ୟ ଭାଗରେ ସ୍ଵଭାବର ଏ ଯେଉଁ ସ୍ଫୂର୍ତ୍ତି, ତାହା ପଶବର୍ତ୍ତୀ କାଳରେ କବିଙ୍କୁ ନମ୍ର-କଠୋର-ସାଧନା ପଥରେ ଅଗ୍ରଗତି କରିବାକୁ ବଳିଷ୍ଠ ପ୍ରେରଣା ଦେଇଥିଲା।
୧୯୬୫ ନଭେମ୍ବର ପଚିଶିରେ କବିଙ୍କର ମହା ପ୍ରୟାଣ ଘଟିଥିଲା । ତାହାର ଅଳ୍ପ କେତେ ବିନ ଆଗରୁ ଏହି କବିତା ଗୁଚ୍ଛ ପ୍ରକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଥଲା । ବନ୍ଧୁମାନଙ୍କର ପରାମର୍ଶ କବିଙ୍କୁ ଅନୁପ୍ରାଣିତ କରିଥିଲା । ଶ୍ରୀଯୁକ୍ତ ଅନନ୍ତ ମିଶ୍ର ଏହାର ପ୍ରକାଶନ ଭାର ଗ୍ରହଣ କରିବାକୁ ସ୍ଵୀକୃତି ଦେବାରେ କବି ଆନନ୍ଦିତ ହୋଇଥିଲେ । ଏଥିରେ ସ୍ଥାନ ପାଇଥିବା କବିତା ଗୁଡ଼ିକର କାଳ ନିର୍ଦ୍ଦେଶ କରିବାକୁ କବି ଇଚ୍ଛା ପ୍ରକାଶ କରିଥଲେ । କବିତା ସଙ୍କଳନ ଶେଷ ହେଲା ବେଳକୁ କବି ଏକପ୍ରକାର ଶକ୍ତିହୀନ ହୋଇ-ପଡ଼ିଲେଣି । ପରେ ଚେଷ୍ଟା କରାଯାଇ ମଧ୍ୟ ପ୍ରତ୍ୟେକ କବିତାର କାଳ ନିର୍ଦ୍ଦେଶ କରାଯାଇପାରିଲା ନାହିଁ । ହୁଏତ ଦ୍ୱିତୀୟ ସଂସ୍କରଣ ଲାଗି ଏହା ବାକି ରହିଗଲା ।
ଗୋଦାବରୀଶଙ୍କ ପ୍ରତିଭା ବହୁମୁଖୀ । ସେ କେବଳ 'ମଧୁକ୍ଷୀରଦ୍ରାକ୍ଷା-ମଧୁ ମଧୁରିମା'ର କବି ନ ଥିଲେ । ଏକାଧାରରେ ନବନୀତ କୋମଳ ଲଳିତ କବିତ୍ୱଠାରୁ କୁଳିଶକଠୋର ପ୍ରୌଢ଼ ରଚନା ପର୍ଯ୍ୟନ୍ତ ତାଙ୍କ ଲେଖନୀରେ ଫୁଟିଉଠୁଥିଲା । କବିତା ଲେଖିଲାବେଳେ ସେ ଶବ୍ଦ-ପ୍ରବାହରେ ସାମାନ୍ୟ ପ୍ରତିବନ୍ଧକ ସୁଦ୍ଧା ଉପଲବ୍ଧ୍କରୁ ନ ଥିଲେ । ବର୍ଷାକାଳରେ ବିସ୍ତୃତ ବନ-ଜଙ୍ଗଲରେ ଘନ ଘୋର ବୃଷ୍ଟି ହୁଏ - ପରେ ପରେ ଜଳଧାରା ସ୍ଵଚ୍ଛନ୍ଦରେ ପ୍ରବାହିତ ହୁଏ । କବି ଗୋଦାବରୀଶଙ୍କର କବିତା ସେହିପରି । ଲେଖିବାକୁ ଇଚ୍ଛାକରିବା ସଙ୍ଗେସଙ୍ଗେ ପଦପଂକ୍ତି ପ୍ରଖର ପ୍ରବାହରେ ପ୍ରସ୍ରୁତ ହୋଇଆସୁଥଲା; ସେଥିପାଇଁ ଚିନ୍ତା ଆବଶ୍ୟକ ହେଉ ନଥିଲା । ଏପରି କି ତାଙ୍କର ପିଲାଦିନର ଲେଖା ଦେଖିଲେ ଜଣାଯାଏ, ତହିଁରେ ବେଶି କିଛି କଟାକଟି ନଥିଲା। ଏହି ଅଭ୍ୟାସ ସାରାଜୀବନ ଅଖଣ୍ଡିତ ଥିଲା । ତାଙ୍କର ପ୍ରିୟ ‘ନିଆଁଖୁଣା’ ର କବିତା ପ୍ରତି ଏହା ସର୍ବାଧିକ ଭାବରେ ପ୍ରଯୁଜ୍ୟ । ଏପରିକି, ଚଳନ୍ତା ମଟର ଗାଡ଼ିରେ ମଧ୍ୟ ‘ନିଆଁଖୁଣ୍ଟା’ର ପରବର୍ତ୍ତୀ ସଂଖ୍ୟା ପାଇଁ ସେ କବିତା ଲେଖିପକାଉଥିଲେ । ତାଙ୍କର କେହି କେହି ବନ୍ଧୁ ଥଟ୍ଟାରେ କହୁଥିଲେ - “ସୁବିଧା ଥିଲେ ସାଇକଲରେ ଯିବାବେଳେ ମଧ୍ୟ ଆପଣ କବିତା ଲେଖିପକାନ୍ତେ !’’ ‘ଯେ ଫୁଲ ଫୁଟିଥିଲା’ ର କବିତାବଳୀ ଏହି ଅସାଧାରଣ ସିଦ୍ଧିଲାଭର ଭିତ୍ତିଭୂମି ।
ଗୋଦାବରୀଶଙ୍କର କବିତା ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଓଡ଼ିଶାର ପ୍ରତିବିମ୍ବ ବହନ କରିଅଛି । ଏହି ମତ ବିଶେଷ ଭାବରେ ୧୯୩୦ରୁ ୧୯୬୫ ମଧ୍ୟରେ ଲିଖିତ କବିତାରେ ସାର୍ଥକତା ଲାଭ କରିଅଛି । ତଥାପି ବାଲ୍ୟ ବୟସର କବିତାଗୁଡ଼ିକରେ ପରିଣତ ବୟସର ଦିବ୍ୟଦୃଷ୍ଟି ସଙ୍କେତିତ ହୋଇଥଲା । ତାଙ୍କର ସ୍ଵଦେଶପ୍ରୀତି ସେତେବେଳେ ମଧ୍ୟ ତାଙ୍କ ଅନ୍ତରକୁ ଅନୁକମ୍ପିତ କରୁଥିଲା । ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ ଓ କୃପାସିନ୍ଧୁ ଏ ଦିଗରେ ଏ ସ୍ଵଭାବକବିଙ୍କର ଉଦ୍ବୋଧକ ଥିଲେ । ସେଥିପାଇଁ ୧୯୨୦ ଖ୍ରୀଷ୍ଟାବ୍ଦରେ ‘ଆତ୍ମବଳି’ କବିତାରେ ସେ ଲେଖିଥିଲେ –
“ଦେଶଯାକ ଆଜି ଭୟେ ଥରହର
ବିଦେଶୁ ବଇରୀ ଆସିଛି ମାଡ଼ି
ସଇନେ ଦଳି ଏ ସକଳ ସମ୍ପତ୍ତି
ସାରା ଦେଶ ବଳେ ଜିଣିବ ବୋଲି ।
ଗୁପତେ ପଶି ସେ ବେପାର-ବଣିଜେ
ଭାଇ ଭାଇ ମେଳ ଫଟାଇ ରଙ୍ଗେ
ତୋଳିଛି ଗୁପତେ କୋଟି ତରବାରି
ସହସ୍ର ସଇନ ଆଦରି ସଙ୍ଗେ ।”
(‘ଯେ ଫୁଲ ଫୁଟିଥିଲା’)
ଏହି ସ୍ଵଦେଶପ୍ରୀତି ସେତେବେଳର ଜାତୀୟ ଜୀବନରେ ଏକାନ୍ତ କାମ୍ୟ ଥିଲା । ଦୁର୍ଦ୍ଦାନ୍ତ ବିଦେଶୀ ଶାସନରୁ ଜନ୍ମ- ଭୂମିକୁ ମୁକ୍ତ କରିବାର ଦୀପ୍ତ ଚେତନା ଜନନାୟକମାନଙ୍କର ସର୍ବାଧିକ ଧ୍ୟେୟ ଥିଲା । ପରବର୍ତ୍ତୀ କାଳରେ କବି ଅନୁଭବ କଲେ ଯେ, ଭାରତୀୟ ମହାଜାତୀୟ ଚେତନାର ପ୍ରସାର ଘଟୁଛି ସତ; କିନ୍ତୁ, ଓଡ଼ିଆ ଭାଷାଭାଷୀଙ୍କର ଅସ୍ତିତ୍ୱବୋଧ ଓ ସ୍ଵାର୍ଥ -ସଂରକ୍ଷଣ ଦିଗରେ ସେଭଳି ଗଭୀର ଚିନ୍ତା କରାଯାଉନାହିଁ । ‘ନିଆଁଖୁଣ୍ଟା’ ସେହି ପୁଣ୍ୟ ପ୍ରେରଣାର ପୁଷ୍କଳ ପ୍ରକାଶରୂପେ ପ୍ରସିଦ୍ଧି ଲାଭ କଲା ।
ଗୋଦାବରୀଶ କେବଳ କବିତାର ସେବକ ନ ଥିଲେ, ‘କବି’ଙ୍କର ମଧ୍ୟ ଉପାସକ ଥିଲେ । କବିଙ୍କ ପାଇଁ ସେ ଯାହା ଲେଖିଥିଲେ, ତାହା ଏବେ ତାଙ୍କପ୍ରତି ଲକ୍ଷିତ ହୋଇଥିଲା ପରି ପ୍ରତୀତ ହୁଏ । ସେ ଲେଖିଥିଲେ -
“ଅନନ୍ତ ପ୍ରତିଭାଶାଳୀ, ହେ ମର୍ତ୍ତ୍ୟପ୍ରବାସୀ
ବାଣୀସୁତ, ଶାନ୍ତିପ୍ରିୟ ଅମୃତପ୍ରୟାସୀ;
ଦୈବତ ବାଞ୍ଛିତ ତବ ମାନସ ବିକାଶ
ତୃପ୍ତ କରେ ନିମିଷକେ ଜଗତମାନସ ।
କେ କହିବ ନର ତୁମ୍ଭେ: ମାନବରୂପରେ
ଲୀଳା କର ହେ ଅମର ମର-ଜଗତରେ ।
ଅକଳ୍ପ୍ୟ ଦିଦୃକ୍ଷା ତବ ଅଚିନ୍ତ୍ୟ ଧାରଣା
ଧନ୍ୟ ତବ ଜୀବନର ବିମଳ ସାଧନା ।’’
ମର୍ତ୍ତ୍ୟପ୍ରବାସୀ ଆଜି ତାଙ୍କର ନିତ୍ୟଧାମକୁ ଚାଲି ଯାଇଛନ୍ତି; ତଥାପି ତାଙ୍କର ସରସ କବିତା ଆଜି ସୁଦ୍ଧା “ତୃପ୍ତ କରେ ନିମିଷକେ ଜଗତମାନସ ।’’ ତାଙ୍କର ବିଚିତ୍ର ପ୍ରତିଭା ଦେଖି ଆଜି ସୁଦ୍ଧା ବିମୁଗ୍ଧ ପାଠକ ହୁଏତ ତାଙ୍କରି ଭାଷାରେ କହିଥାଏ –
“ଅକଳ୍ପ୍ୟ ଦିଦୃକ୍ଷା ତବ ଅଚିନ୍ତ୍ୟ ଧାରଣା
ଧନ୍ୟ ତବ ଜୀବନର ବିମଳ ସାଧନା ।”
ଏ ପ୍ରସଙ୍ଗରେ ଆଜି ଗୋଟିଏ କଥା ସୂଚାଇଦେବା ଆବଶ୍ୟକ ମନେହୁଏ । ୧୯୧୭ ଖ୍ରୀଷ୍ଟାବ୍ଦରେ କବି ‘ଉତ୍ତରାୟଣୀ’ କବିତା ଲେଖିଥିଲେ । ଏହି ପୀଠ ବାଣପୁରର ଘଣ୍ଟଶିଳା ପାହାଡ଼ର ପାଦଦେଶରେ ଅବସ୍ଥିତ । ୧୯୧୭ ବେଳକୁ ସେ ଅଞ୍ଚଳ ଏକ ଦୁର୍ଗମ ଜଙ୍ଗଲ ଥିଲା । ତାହାର ନିକଟରେ ପରେ ପଣ୍ଡିତ ଗୋଦାବରୀଶ ମିଶ୍ର ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟ ସ୍ଥାପନ କଲେ । ବର୍ତ୍ତମାନ ସେଠାରେ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଗଲାଣି । ୧୯୧୭ ଖ୍ରୀଷ୍ଟାବ୍ଦବେଳକୁ ସେଠାରେ ଏଭଳି ଅନୁଷ୍ଠାନ ପ୍ରତିଷ୍ଠିତ ହେବାର କଳ୍ପନା ମଧ୍ୟ କରିବା ସମ୍ଭବପର ନଥିଲା; କିନ୍ତୁ କବି କାହିଁକି ଓ କିପରି ଏଇ ଭବିଷ୍ୟତ୍ବାଣୀ କରିଥିଲେ, ତାହା କହିହେଉନାହିଁ । କବି ଲେଖିଥିଲେ-
“ଆଶା-ଘଣ୍ଟଶିଳା ବହି ବିରାଜେ ତୋ ପାଶେ
ଏ ଭଗ୍ନ -ହୃଦୟ ମା’ ଗୋ ! ନବ କର୍ମଭୂମେ
ଚିନ୍ତିତ ସ୍ତମ୍ଭିତ ପୁଣି ବ୍ୟାକୁଳ ହତାଶେ
ଅତୀତ ସ୍ଵର୍ଣ୍ଣଦୀକୂଳେ ସାହସ ସଂଯମେ
ଏ ସ୍ଵର୍ଣ ସୈକତ ଭାଲେ ଦେଖ ରେ ନୟନ
ଅତୀତ ଅମୃତ-ସ୍ମୃତି, ଭବିଷ୍ୟ ଭବନ ।’’
(‘ଯେ ଫୁଲ ଫୁଟିଥିଲା’)
ଆଜି କବିଙ୍କର ସ୍ଵପ୍ନ ସତ୍ୟ ହୋଇପାରିଛି । ଶାଳିଆ ନଈକୂଳରେ, ‘ଉତ୍ତରାୟଣୀ' ନିକଟରେ ଶିକ୍ଷାର ଭବନ ଗଢ଼ିଉଠିଛି । ଏହି କବିତାର ତୃତୀୟ ସ୍ତବକରେ କବି ଗାଇଥିଲେ –
‘‘ବାସନା-ଅଚଳ ଚୂଳ ସ୍ଵର୍ଣ୍ଣ ସିଂହାସନେ
ଦେଖେ କେତେ ଭବିଷ୍ୟତ ତୋ ପୀଠ-ପୁଳିନେ ।”
କବିଙ୍କର ବାସନା ବାସ୍ତବରେ ପୂର୍ଣ୍ଣହୋଇଛି । କାରଣ ସେଠାରେ ଆଜି ଯେଉଁ ଶିକ୍ଷାର ପୀଠ ଗଢ଼ିଉଠିଛି, ତାହା ମଧ୍ୟ କବିଙ୍କର ବହୁ ଦିନର ପ୍ରିୟ କର୍ମସ୍ଥଳୀ ଥିଲା ।
‘ଯେ ଫୁଲ ଫୁଟିଥିଲା’, ସେ ଫୁଲ ଆଉ ମଉଳି ଗଲାନାହିଁ । ଗୋଦାବରୀଶଙ୍କର କବିତ୍ୱ-ସାଧନା ଯେଉଁମାନେ କଳନା କରିବସିବେ, ସେମାନଙ୍କୁ ଏହି କବିତାଗୁଚ୍ଛ ନାନା ସୂଚନା ଦେବାକୁ ସମର୍ଥ ହେବ । ଗୋଦାବରୀଶଙ୍କର ସାହିତ୍ୟ-ସାଧନାର ଭିଭିଭୂମିରୂପେ ଏହି ପୁଷ୍ପସ୍ତବକର ଉପାଦେୟତା ଯେ ଅତ୍ୟଧିକ କହିବା ବାହୁଲ୍ୟ ମାତ୍ର । ଅଳମତି-ବିସ୍ତରେଣ ।
ଶ୍ରୀପଞ୍ଚମୀ ଗୌରୀ କୁମାର ବ୍ରହ୍ମା
ଭୁବନେଶ୍ଵର,
ତା ୩।୨। ୬୮
* ‘ଯେ ଫୁଲ ଫୁଟିଥିଲା’ ପୁସ୍ତକଟି ୧୯୬୮ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଗ୍ରନ୍ଥାବଳୀର ସଂକଳନ କାଳରେ ଆମେ ଦେଖିଲୁ ଯେ ଏହି ବହିର ପ୍ରଥମ ୬ଟି କବିତା ‘ପ୍ରଭାତ କୁସୁମ' ରେ ପ୍ରକାଶିତ ହୋଇଥିଲା । ତେଣୁ ସେହି ୬ଟି କବିତାକୁ ଏହି ଅଂଶରୁ ବାଦ୍ଦେଲୁ ।
ଆତ୍ମବଳି
ଅଶୀ ବରଷର ବୁଢ଼ୀଟିଏ ସେ ତ
କୁଟୀର ଆଦରି ବିତାଏ ଦିନ
ମନେ ମନ ଭାରା ଆଦରି ଉଦାସେ
ନିତି ଦେଖେ କେତେ ସୁଖ-ସପନ ।
ଅନ୍ଧାର ରାତିରେ ହେଲେ ପଥବଣା
ଫେରନ୍ତି ପଥିକେ ଲକ୍ଷି ସେ ଘର
ନଗରର ଶେଷ ସୀମାରେ କାନନ
କାନନ ଶେଷରେ ଘରଟି ତାର ।
ନିତି ଯାହା ମିଳେ ଶାଗ, ପେଜ ଘେନି
ବନ ଫୁଲଫଳେ ପୋଷେ ସେ ପେଟ ।
ନିତି ଯାହା ଦେଖେ ବନଛବି ଯେତେ
ପୁଲକେ ଭରଇ ଆପଣା ଚିତ୍ତ ।
ନୟନପିତୁଳି ପରାଣ ସାଥୀ ତା
ଏକଇ ବାଳକ ବରଷ ଦଶ
ସବୁ ଆଶା ବୁଢ଼ୀ ପାଳିଛି ତା ପାଶେ
କରିବ ତା ଆଗେ ଜୀବନ ଶେଷ ।
ପୂଜି କେତେ ଦିଅଁ ବାଳୁତ ବୟସୁ
କରି କେତେ ଉପବାସ ଶରମେ
ଡାକି କେତେ ଡାକ ବିଭୁଙ୍କ ଚରଣେ
ପାଳିଛି ପରା ସେ ଜନନୀପଣେ ।
ଦଣ୍ଡେ ନ ଦେଖିଲେ ହୃଦୟସଂଖାଳି
ଅନ୍ଧୁଣୀ ପରି ସେ ଆକୁଳେ ବସେ
ଲୁହ ବହିବାର ଦେଖିଲେ ତା ନେତ୍ରୁ
ସତେ କି ପିଣ୍ଡରୁ ପରାଣ ଖସେ !
ଦୂରୁ ମାଡ଼ିଆସେ ସାଇଁସାଇଁ ତାନେ
ବନପାରେ ଅଚାନକ ବରଷା
ଆସୁଥାଏ ତେଣେ କଳା ଶାଢ଼ୀ ପିନ୍ଧି
ଯାମିନୀ ସୁନ୍ଦରୀ ବିକଟ-ବେଶା ।
ଖଣତିଟି ଧରି ପୁଅ ଯାଇଥାଏ
ଚେର, ମୂଳ ଖୋଳି ବନ ସେ ପାରେ
ବୁଢ଼ୀ ବସିଥାଏ ପରାଣ ଆକୁଳେ
ଦୁଆର ଆବୋରି ନିରେଖି ତାରେ ।
ଥପଥପ ବାରି ଝରୁଥାଏ ଶିରୁ
ପହଞ୍ଚିଗଲେ ସେ ନୟନମଣି
ଲୁହ ଦୁଇଧାର ବୁହାଇ ବୁଢ଼ୀଟି
ସେନେହେ ଟୁମ୍ବଇ ବଦନ ପୁଣି ।
ଗରିବ ଘରର ଗରିବ ରାନ୍ଧଣା
ଆଗ ବାଢ଼ିଦିଏ ପୁଅକୁ ଧରି
ବଳିଲେ ଖାଏ ସେ ଦି’ ମୁଠି ପେଟକୁ
ନ ବଳିଲେ ଥାଏ ଉପାସ କରି ।
ଆପଣା କାନିରୁ କାନିଏ ପାରି ସେ
ଆପଣା ବାହାରେ ଥାପି ତା ଶିର
କୋଳେ ଧରି ବୁଢ଼ୀ ରାତିଟି ପୁହାଏ
ଦିନଯାକ ତାକୁ କରଇ ଗେଲ ।
ଉପାସ ବୋଲି ତା ନ ଆସେ ମନକୁ
ଧନ ଖାଇଥିଲେ ପୂରେ ତା ପେଟ
ଧନ ଶୋଇଥିଲେ ଶୁଏ, ସେ ଧନର
ଲୁହ ଦେଖି ତାର ଝରେ ରକତ ।
ଧନ ଛବିଟି ତା' ନିତି ଆଗେ ଆଗେ
ବନ ପରବତେ ସବୁଠି ଦେଖେ
ଅନ୍ଧାର ରାତିରେ ଘୋର ବରଷାରେ
ଶୁଣି ପୁଅଡାକ କି ରୋଗେ ଭୋକେ ।
କାନିରେ ଦିଓଟି ଫଳମୂଳ ଘେନି
ନିତି ନଗରୁ ସେ ସଉଦା ଆଣେ
ଫଳମୂଳ ଖାଏ, ଫଳମୂଳ ବିକେ
ଫଳମୂଳ ତାର ସମ୍ପତ୍ତି ଜାଣେ ।
ଦେଶଯାକ ଆଜି ଭୟେ ଥରହର
ବିଦେଶୁ ବଇରୀ ଆସିଛି ମାଡ଼ି
ସଇନେ ଦଳି ଏ ସକଳ ସମ୍ପତ୍ତି
ସାରାଦେଶ ବଳେ ଜିଣିବ ବୋଲି ।
ଗୁପତେ ପଶି ସେ ବେପାର ବଣିଜେ
ଭାଇ ଭାଇ ମେଳ ଫଟାଇ ରଙ୍ଗେ
ତୋଳିଛି ଗୁପତେ କୋଟି ତରବାରି
ସହସ୍ର ସଇନ ଆଦରି ସଙ୍ଗେ ।
ଗାଆଁରୁ ଗାଆଁକୁ ଚଳନ୍ତି ସଇନ
ଚାଳି ହତିଆର ବିକଟ ବେଶ
ଗାଆଁରୁ ଗାଁକୁ ଭାଜନ୍ତି ପରଜା
ଉଚ୍ଛନ୍ନ ହେଲାଣି ଅଧିକ ଦେଶ ।
ମାଆ ଛାଡ଼ିଯାଏ ପୁଅକୁ ବିକଳେ
ପୁଅ ନ ଦେଖଇ ଭାରିଯା ଆଉ
ଭାଇ ଭାଇ ଆଉ କାହିଁ ଭେଟ ନାହିଁ
ସାରାଦେଶେ ମାତେ ଏ ଭୀମ ଦାଉ ।
ଭୂଇଁରେ ଗଲାଣି ମିଶି ପକାଘର
କୁଟୀର ବା କାହିଁ ହୋଇବ ବାରି
ଗରିବର କଥା କିଏ ବା ପଚାରେ
କୋଟିପତି ଆଜି ଦାଣ୍ଡଭିକାରି ।
କାଲି ହସୁଥିଲା ଯେ ବିଲ ପ୍ରାନ୍ତର
କନକ କ୍ଷେତରେ ଦିବସ-ନିଶି
ଆଜି ସେ ଥାନରେ ବହୁଚି ବିକଟେ
ପରଜା ତପତ ରୁଧିର ଆସି ।
ବନ-ବାଟେ ଆଜି ବିଧବା କାନ୍ଦୁଚି
ଶିଶୁ ସଢ଼ି ମରେ ସରଣୀଦାଢ଼େ
ପାଶେ କେହି ନାହିଁ ଦୟାବହି ତିଳେ
ପାଣିଟୋପେ ଢାଳିଦେବାକୁ ତା'ରେ ।
ଉଠୁଥିଲା ଯହିଁ ହାସ ସନମାନ
ସୁଖ ଗଉରବେ ସରଗଶିରୀ
ଆଜି ସେ ନଗରେ ନର-ମାଂସ ଲୋଭେ
ସହସ୍ର ସଇନ ଯାଆନ୍ତି ବୁଲି ।
ଫୁଲ ତୋଳି ଫୁଲ ଡାଲାରେ ସଜାଡ଼ି
ବିଭୁପାଦ ପୂଜେ ଯେ ଠାବେ ବାଳା
ନାଚନ୍ତି ଶୃଗାଳେ ଆଜି ସେ ଉଦ୍ୟାନେ
ନରରକ୍ତେ ଭରି ଉଦର ସାରା ।
ଛନ୍ଦ ବିହରଣେ କୁଳସୀମନ୍ତିନୀ
ଚାରୁ ପାଦ ନାଚି ଉଠଇ ଯହିଁ
କାନନ ପଶୁଏ ଆଶଂକା ବିସୋରି
କଲେଣି ତାହାକୁ କାନନ ଭୂଇଁ ।
ପୂଜା ଉପହାରେ ମନ୍ଦିରେ ମନ୍ଦିରେ
ଉଠୁଥିଲା କାଲି ଶତ ବାଜଣା
ଆଜି ପଥ ଭୁଲି ବିଜନ ପଥିକେ
ଶିଳା ଝୁଣ୍ଟି ନିତି ହୁଅନ୍ତି ବଣା ।
ରଚି ବାଲିଘର ଖେଳୁଥିଲା ଶିଶୁ
କାଲି ଯେ ସରଣୀ-ତୀରେ ଉଦାସେ
ଲତା ଗୁଳ୍ମେ ଆଜି ସାପ ଖେଳେ ତହିଁ
ଥରଇ ପରାଣ ପାଦ ପରଶେ ।
କଳ ତରଙ୍ଗିଣୀ ତଟିନୀ ପଠାରେ
ମୁଖ ଦେଖେ ବସି ଶାର୍ଦ୍ଦୂଳ ଜଳେ
କେତେ ଯେ କଙ୍କାଳ ବଣ ବିଲ କୋଳେ
କେତେ ହାହାକାର ପଲ୍ଲୀପ୍ରାନ୍ତରେ ।
ଘର ଭାଙ୍ଗି କିଏ କୁଡ଼ିଆ ଆଦରି
ଠାବେ ଠାବେ ପ୍ରଜା ଅଛନ୍ତି ପଡ଼ି
ବିଦେଶୀ ରାକ୍ଷସ ବଇରୀ ତାଡ଼ନେ
ସୋଦର-ସେନେହ ଗଲେଣି ଭୁଲି ।
ଆସିଛି ବଇରୀ ଜିଣିବ ସ୍ୱଦେଶ
ଭାବିଛି ପରା ସେ ପାଳିବ ପ୍ରଜା
ଧିକ୍ ଧିକ୍ ତୁ’ରେ ପାମର ବିଦେଶୀ
କାହାପାଇଁ ଏତେ ସମର-ସଜ୍ଜା ?
କାହାପାଇଁ ଏତେ ତାଡ଼ନା ବିଦେଶୀ !
ଭାବିଚ କି ଚିର ରହିବ ଏଠି ?
ଉଡ଼ିବ କି ତବ ବିଜୟ ପତାକା
ଚିର କାଳଧରି ଗଗନେ ଉଠି ?
କେତେ ଗଲେ ବୀର ଏ ଭୂମି ପରଶି
କେତେ ଜାତି ଗଲେ ଏହାରି କୋଳେ
କେତେ ଯେ ରୁଧିର-ସରିତ ବହିଲା
ଏହି ପ୍ରଜା ହୃଦୁଁ ଏ ଭୂମିତଳେ ।
ମାଳମାଳ କେତେ ଗଡ଼ିଲା କଙ୍କାଳ
ଦଳଦଳ କେତେ ଆସିଲେ ସେନା
ଦୁଇ ଦିନେ ଆସି ଦୁଇ ଦିନେ ଗଲେ
ଏତିକି ରହିଲା ଅଯଶ-ବାନା ।
ଫେର ଫେର ଆଉ ହାଣନା ପରଜା
ରହୁ ଏ ସ୍ୱଦେଶ ଶ୍ୟାମଳେ ହସି
ନ ବୁଲୁ ହେ ଆଉ ହିଂସା -ପ୍ରଣୋଦନେ
କ୍ରୂର କରେ ଧନ-ଲୋଲୁପ ଅସି ।
ପୁଅ ଯାଇଥିଲା କୁଟୀର ବାହାରେ
ବେଳ ଦଶ ଘଡ଼ି ଫେରୁଚି ଘରେ
ଝାଳ-ଗମଗମ କୁଞ୍ଚିତ କୁନ୍ତଳ
ଗୋଟି ଗୋଟି ହୋଇ ପଡ଼ିଚି ଭାଲେ ।
ଥରଥର ତାର ଚପଳ ପଲକେ
ଥରେ ଥରେ ହସେ କାନନଭୂଇଁ
ବିଜନେ ଗାଏ ସେ ପରାଣ କାହାଣୀ
କମ୍ପିତ ଉରସ ଲୋତକେ ଧୋଇ ।
କମ୍ପିତ କରେ ସେ ବାଡ଼ିଖଣ୍ଡ ତା'ର
ପିନ୍ଧିଲା କାନି କି ପରଶେ ତଳ
କହିବ ବୁଢ଼ୀକି ସମର-ବାରତା
ଫେଇଦେବ ତାରେ ହୃଦୟଭାର ।
କହିବ; ଶୁଣିଲା ରାଜନ ଡାକରା
ସମରେ ଯିବାକୁ ପରଜା ଯେତେ
ଢାଳିବାକୁ ଶିର ବଇରୀ ସମ୍ମୁଖେ
ନ ଦେବାକୁ ଦେଶ ବିଦେଶୀ ହାତେ ।
ଯାବତ ଜୀବନ ନ ହେବେ ଅଧୀନ
ରାକ୍ଷସ ବିଦେଶୀ ନ ନେବ ଯଶ
ଯାଉ ଅବା ରହୁ ମରନ୍ତୁ ଏ ଜାତି
ରହିବ ତ ହେଲେ ସଂସାରେ ଯଶ ।
କହିବ ସେ ଯେତେ ସୋଦର ସଇନ
ଅଛନ୍ତି ସଜାଡ଼ି ଖଡ଼ଗ-ହାତେ
ସଞ୍ଜ ନ ହେଉ ସେ ପଶିବେ ସମରେ
ପଶିବେ ଅନଳେ ବନ-ପର୍ବତେ ।
ପୁଣି ସେ କହିବ ‘‘ଯାଉଥିଲି ମା' ଗୋ
କାଢ଼ିଦେଲେ ତହୁଁ ସେ ସେନାପତି
ଏକଇ ସନ୍ତାନ ବାପ-ମାଆଙ୍କର
ନ ହେବେ କଦାପି ସଇନ ଏଠି ।’’
କହୁ କହୁ ଲୁହ ଆସିଲା ଉଛୁଳି
ଶୁଣିଥିଲା ଗୀତ ଗାଇଲା ତାନେ
କମ୍ପାଇ ସାଗର, ଗଗନ, ପବନ,
ବନ ପରବତ ଜନନୀ ନାମେ ।
ଝମ ଝମ ଝମ ଦୁନ୍ଦୁଭି କମ୍ପେ
-ଆସ କେ ସମରେ ଝାସିବ ରେ
ଏ ଯେ ମଙ୍ଗଳ ବାରତା ଗୌରବ ମରଣ
ପ୍ରେମର ମରଣେ ଭାସିବ ରେ ।
ଉଛୁଳେ ସିନ୍ଧୁ ଉଜ୍ଜ୍ୱଳ ଗଗନେ
ଘନଘନ ଶ୍ଵାସ ପବନେ ପବନେ
ତୁ କି ମା' ସନ୍ତାନ, ତୁ କି ମା' ଜୀବନ
ଆଜି, ଅଶ୍ରୁ କି ମାଆ ନାମେ ଆସିବ ରେ ।
ଥରଥର ବୁକୁ ଝରଝର ଲୁହ
ବୁଢ଼ୀ ଚାହିଁଅଛି. ଦୁଆରେ ବସି
ବେଳ ଦଶଘଡ଼ି ନ ଆସିଛି ଧନ
କେତେ ଶଙ୍କା ମନେ ଯାଉଛି ମିଶି ।
ବନ ଦୂରପଥେ ଶୁଭିଲା କା ପାଟି
ବଢ଼ିଲା ଆବେଗ ଦ୍ୱିଗୁଣ ମନେ
ସଇନେ କି ଅବା ଆସିଲେଣି ଘେରି
ପରାଣ-ସଙ୍ଖାଳି ରହିଲା କେଣେ ?
ପରାଣ-ସଙ୍ଖାଳି ! ପରାଣ-ସଙ୍ଖାଳି !!
ଷୋଳ ଶିର ଆଜି ଯାଉଚି ଥରି
ଧନ ଆସି ଉଭା ଦୁଆରେ ଏବେ ତ
ଥର ଥର ଡାକେ ‘ମୋ ମାଆ’ ବୋଲି ।
‘ଆହା ଧନ ମୋର’’ ଚୁମ୍ବିଲା ବଦନ
‘‘ବାଧିବଣି କେତେ, ଆସ ମୋ କୋଳେ
ଫୁଲଫଳ ସବୁ ବାସି ପାଲଟିଲା
ଏତେବେଳ ଯାଏଁ କାହିଁ ଥିଲୁ ରେ ।”
ଟାଣ ନା ଟାଣ ନା ଆଉ ଗୋ ସେନେହେ
ଧନ ଆଜି ନୁହେ ତୁମର ଧନ,
ତୁମର ଯେ ମାଆ ଜନମ-ଭୂଇଁର
ଦୁଃଖ ଦେଖି ଧନ ଦୁଃଖେ ମଗନ ।
ସେନେହମୟୀର ବିକଟ ଛବିଟି
ପରାଣେ ତାହାରି କରୁଚି ଖେଳା
ଡାକ ନା, ଡାକ ନା, ଡାକ ନା ଗୋ ଆଉ
ଜନନୀ ପାଇଁ ସେ ଚେତନାହରା ।
ଧରିବ ଖଡ଼ଗ ପଶିବ ସମରେ
ଦିଅ ଗୋ ବିଦାୟ ନ ଡାକ ଆଉ
କହିଲା ବାଳକ “କେସନେ ଆଉ ଗୋ
ସହିବ ଏ ପାପ ବିଦେଶୀ ଦାଉ !
ଯାଉଥିଲି ହସି ସୋଦରଗହଳେ
ଯାଉଥିଲେ ସେ ତ ଖଡ଼ଗ ଧରି
ମନାକଲେ ମତେ କେବଣ ଯୁବକ
ବୁଢ଼ୀ ମାଆ ତାର ଅଛନ୍ତି ବୋଲି ।
ନୁହେ କି ମାଆ ମୁଁ ଜନନୀର ପୁଅ
ନୁହେ କି ଏ ଦେଶେ ଘରଟି ମୋର
ନୁହେ କି ଏ ତନୁ ଏ ଦେଶେ ପାଳିତ
ଅଟ କି ତୁମେ ଏ ଦେଶୁ ବାହାର ?
କୋଟି ଭାଇ ଗଲେ ହେଲି ଅଭାଜନ
ସଭିଏଁ ହସିଲେ ଢାଳିଲେ ଲୁହ
ସଭିଏଁ ଗାଇଲେ ‘ବନ୍ଦେ ମାତରମ୍'
ମୁହିଁ କି ନୁହେ ଲୋ ତାହାରି ପୁଅ ?
ବଇରୀ ବଧି ସେ ଆସିବେ ବାହୁଡ଼ି
କରିବେ ଗରବ ମୋହରି ପାଶେ
କେସନେ ଧରି ଏ ନିର୍ଲଜ୍ଜ ବଦନ
ଯାପିବି ଏ ପାପ-ଜୀବନ ଦେଶେ ।
ସଭିଏଁ ଗାଇବେ ‘ବନ୍ଦେ ମାତରମ୍’
ମୁଁ କି ନ ଗାଇବି, ଧିକ୍ମୋ ପ୍ରାଣ !
କିପାଇଁ ମାଆ ଲୋ ମୋଠାରେ ବିଧାତା
ଏଡ଼େ ନିର୍ଦୟ, ମୁଁ ପାପୀ, ହୀନ ?’’
ଧପଧପ ଥରେ ଅବଳା ଧମନୀ
ଥପଥପ ଲୁହ ବଦନେ ଝରେ
“କି କହିଲୁ ଧନ! ଚିହ୍ନିଲୁ କି ମାଆ
ମାଆ ପୀରତି କି ପରାଣେ ଖେଳେ ?
ବନେ ଉପବନେ ଜନନୀ ରୂପଟି
ଦେଖିଚୁ କି ଧନ ଆଜି ନିରେଖି ?
ଘେନିଲୁ କି ଆଜି ‘ବନ୍ଦେ ମାତରମ୍’
ରାକ୍ଷସ ବିଦେଶୀ ତାଡ଼ନା ଦେଖି ।
ମାଆ ମାଆ ବୋଲି ଡାକୁଥୁଲୁ ନିତି
ମାଆ ପରିଚୟ ପାଇଲୁ ଆଜି
ବନ ପରବତେ, ସାଗରେ, ଭୂଧରେ
ତୋର ମୋର ମାଆ ଅଛନ୍ତି ରାଜି ।
ତୋର ମୋର ମାଆ ସଭିଙ୍କ ଜନନୀ
ମୁଁ ନୁହେ ତୋ ମାଆ ଆଜିଠୁ କିଛି
ତୋର ମୋର ମାଆ ଜଗତଜନନୀ
ତୋର ମୋର ମାଆ ଏ ଦେଶ ଅଛି ।
ମାଟି-ପଥରର ନୁହେ ଏ ସ୍ଵଦେଶ
ତୁଚ୍ଛ ନୁହେ ଏଠି ପାଣି ପବନ
ସବୁଥିରେ ବହେ ଜନନୀ ଆଶିଷ
ସବୁଥିରେ ବହେ ଆମରି ପ୍ରାଣ ।
ପଶିବୁ ସମରେ ବସିବି କୁଟୀରେ
ଜନନୀ ଚରଣ ପୂଜିବି କେହ୍ନେ
ବଧିବୁ ବଇରୀ ପଡ଼ିବୁ ସମରେ
ମୁଁ କି ପଡ଼ିଥିବି ଅନ୍ଧାରକୋଣେ ?
ରକତ ଶୋଷଇ ବିଦେଶୀ ରାଇଜ
ଧନୀ ମାନୀ ଆଜି ସଭିଏଁ ଏକା
ସମସ୍ତଙ୍କ ପ୍ରାଣେ ବାଧିଚି ବାବୁ ରେ
ଆଜି ଏ ବିଦେଶୀ-ଶାସନାଶଂକା ।
କେତେ କଉଶଳେ ଦେଶ ଉଜୁଡୁଛି
ଗଲେ ଏ ସମର ପରାଣ ଯାଉ
ଏତେ ଦିନେ ତୋର ପରାଣେ ବାଧିଚି
ଏଣିକି ତୁ ଆଉ ବାଳୁତ ନୋହୁ ।
ଏଣିକି ତୁ ଆଉ ନୋହୁ ମୋ ବାବୁ ରେ
ଆଜିଠୁ ତୁ ମୋ’ରି ଜନନୀ ପୁଅ
ମାଆକୁ ଚିହ୍ନିଛୁ ଚିହ୍ନାଇଛୁ ମୋତେ
ଘୁଞ୍ଚିବ ଜାଣି ରେ ବିଦେଶୀ ମୋହ ।
ଦେଶ ଭବିଷ୍ୟତ ଧନ ତୁ ରାଇଜେ
ଦେଶର ଗରବ ତୋହରି ପାଶେ
ତୋ ଘେନି ମୁକତି ତୋ ଘେନି ଦେଖିବି
ଜନନୀ ଚରଣ ଅଶୀ ବରଷେ ।
ଦେଇଥିଲେ ପିତା ଖଡ଼ଗ ମୋ କରେ
ଗୁପତେ ରିଖିଚି ତୋହରି ପାଇଁ
ଅଶୀ ବରଷରେ ପୂରିଲା ତପସ୍ୟା
ଘେନ ଗୋ ତର୍ପଣ ଜନମ-ଭୂଇଁ ।
ପଥରେ କଣ୍ଟକ ମୁଁ ତୋର ସଙ୍ଖାଳି !
ସମରେ ଯିବାକୁ ନକର ହେଳା’’
କହି ବୁଢ଼ୀ ଦେଲା ଖଡ଼ଗ ବସାଇ
ଦୁଇ ଖଣ୍ଡ ହେଲା ଆପଣା ଗଳା ।
ଦୁଇ ଖଣ୍ଡ ହେଲା ଅବଳା ଶରୀର
ଛିଡ଼ିଗଲା ମରବନ୍ଧନ ଗୋଟି,
ଆସରେ ବଇରୀ ପାପବଳ ଘେନି
ଦେଖରେ ଶୋଣିତ-ତର୍ପଣ ଏଠି ।
ଦେଖରେ ସ୍ୱେଦେଶେ ଜୀବନର ଧାରା;
ଦେଖରେ ଜୀବନେ ଅନନ୍ତ ପ୍ରେମ,
କି କରିବ ପାପ-ଖଡ଼ଗ କମାଣ
ଜନମ-ଭୂଇଁର ନେବାକୁ ମାନ ?
ଚିର ଅବିଶ୍ୱାସୀ ଆସ ହେ ବିଦେଶୀ,
ଥରେ ଦେଖିଯାଅ ନୟନ ଫେଇ,
ଜନମ-ଭୂଇଁର ମୁକତି ଦୁଆର
ଫିଟିବାକୁ ଆଉ ବିଳମ୍ୱ ନାହିଁ ।
ପ୍ରଥମ ତର୍ପଣେ ପୁଣ୍ୟ ଆତ୍ମବଳି
ବୃଦ୍ଧା ଶିର ଲୋଟି ପଡ଼ିଛି ତଳେ,
ଶୋଣିତ-ଜର୍ଜ୍ଜର ଖର କରବାଳ
ଚମକି ଧଇଳା ବାଳକ କରେ ।
ଚମକି ଚାହିଁଲା ଉତ୍ତର, ଦକ୍ଷିଣ
ଚମକି ଚାହିଲା ପ୍ରାଚୀ, ପ୍ରତୀଚୀ
ଭୀମ ସେ ଚଳନେ ସତେ କେ କାନନ
ଗିରି ବିଲମାଳା ଉଠିଲେ ନାଚି ।
ଥର ଥର ମୁଖ, ଲୋଳିତ କୁନ୍ତଳ,
ଥର ଥର ତ’ର ଖଡ଼ଗ ଗତି,
ଫରଫର ଉଡ଼େ ଗଗନେ ଚିରାଳ
ନାଚିଲା ଜୀବନେ ସମରପ୍ରୀତି-
ଯାବତ ବଇରୀ ନ ବଧିବି କରେ,
ଯାବତ ସ୍ୱଦେଶ ନ ହେବ ମୁକ୍ତ,
ନ ଫେରିବି ଆଉ, ଦେଇ ଆତ୍ମବଳି
କରିବି ବଇରୀ ଖଡ଼ଗ ସିକ୍ତ ।
[ରଚନାକାଳ-୧୯୨୦]
ପିକ-ବନ୍ଧୁ ଚୂତମୂଳେ ଦରହାସ ଭରେ
ଯେବେ ପଲ୍ଲୀ ବିଳାସିନୀ ବାଳାଏ ପୁଲକେ
ବାଇଥିବେ କଣ୍ଠବୀଣା ସଙ୍ଗିନୀ ଗହଳେ
ଉଜ୍ଜ୍ୱଳି ନିକୁଞ୍ଜ-ବେଦି ଆନନ୍ଦ ଆଲୋକେ ।
ବାତ-ବିଚଳିତ ଚାରୁ ପଲକ ତରଙ୍ଗେ
କୋମଳ ତଳପେ ମୁଦେ ପିକବଧୂଗଣ
ପ୍ରତିତାଳେ ଉଲ୍ଲସାଇ ଶ୍ୟାମ-ଧରା-ଅଙ୍ଗ
କରିଥିବେ ଗାନ ଛଳେ ତବ ଆବାହନ ।
ଜନନି ଗୋ ! ଲଭିଥିବ ମରତ ସମ୍ପଦେ
କୁଞ୍ଜରାଜି ବିରାଜିତ ଏ ଆଶ୍ରମ ପଦେ ।୧।
ତରୁ-ପ୍ରଣୟିନୀ-ଲତା ଶ୍ୟାମଳ କପୋଳେ
ବିକଶାଇ ଗୋଟି ଗୋଟି ହେମ ଗୌର କଳି
ମର୍ତ୍ତ୍ୟ ଅଭିଷେକେ ତବ ପ୍ରେମାନନ୍ଦ ଭୋଳେ
ଚରଣେ ମା’ ଢାଲିଥିବେ ସେ ଶୁଭ-ଅଞ୍ଜଳି ।
ସେ କାଳେ ପୁଲକଭରେ ମଧୁପ-ନିକର
ମୋହନ-ଗୁଞ୍ଜନେ ବାଇ ମଙ୍ଗଳ-ମହୁରି
ଲଭିଥିବେ ତବ ପୁଣ୍ୟ ପ୍ରୀତି ସୁବିମଳ
ଦେଇଥିବେ ଉଷା-ଶ୍ୟାମା ଶୁଭ ହୁଳହୁଳି ।
ତୁଟି ନାହିଁ ସେ ସମ୍ପଦ ସେ ମୋହନ ଶିରୀ
ଫୁଟେ ଫୁଲ, ଗାଏ ଭୃଙ୍ଗ ଦିବା-ବିଭାବରୀ ।୨।
ଅନନ୍ତ ପ୍ରେମର ଲୀଳା ବିଶ୍ୱ ମହିମାର
ପ୍ରାଣ, ମନ ଅଗୋଚର ଅମୃତ ବିଭବ
ଶାଳାବତୀ ସ୍ୱର୍ଣ୍ଣଶିରୀ ସୈକତ ପ୍ରାନ୍ତର
ଚୁମ୍ୱିତ ପଲ୍ଲବାଧରେ ଖେଳେ ଅଭିନବ ।
ନିତ୍ୟ ସୁଷମାର ପୂର୍ଣ୍ଣ ବିକାଶ ମନ୍ତର
ଫୁଟଇ ସମୀରେ କୁଞ୍ଜେ ରଜତ ସଲିଳେ ।
ଅସ୍ତିତ୍ୱ ହରାଇ ବୁଲେ ପ୍ରେମାଦରେ ନର
ସେ ସୁଧା ସମ୍ପଦେ ପୂର୍ଣ୍ଣପ୍ରାଣତା ଲଭିଲେ ।
ବାସନା-ଅଟଳ ଚୂଳ ସ୍ୱର୍ଣ୍ଣ-ସିଂହାସନେ
ଦେଖେ କେତେ ଭବିଷ୍ୟତ ତୋ ପୀଠ ପୁଳିନେ ।୩।
ବୈଦିକ କନକ ଛନ୍ଦେ ମୁଖର ଗଗନ
ମରମ ଦୁନ୍ଦୁଭି ଲୀଳା ମର୍ତ୍ତ୍ୟ ପରବାସେ
ବ୍ରହ୍ମବାଦୀ ବାସନାର କର୍ମ୍ମ ନିମନ୍ତ୍ରଣ
ବାନ୍ଧିଛି ମା’ ସ୍ମୃତି-ସୂତ୍ରେ ବର୍ତ୍ତମାନ ପାଶେ ।
ଆଶା-ଘଣ୍ଟଶିଳା ବହି ବିରଜେ ତୋ ପାଶେ
ଏ ଭଗ୍ନ-ହୃଦୟ ମା’ ଗୋ ! ନବ କର୍ମ୍ମଭୂମେ
ଚିନ୍ତିତ ସ୍ତମ୍ଭିତ ପୁଣି ବ୍ୟାକୁଳ ହତାଶେ
ଅତୀତ ସ୍ୱର୍ଣ୍ଣଦୀକୂଳେ ସାହାସ ସଂଯମେ
ଏ ସ୍ୱର୍ଣ୍ଣ-ସୌକତ ଭାଲେ ଦେଖ ରେ ନୟନ !
ଅତୀତ ଅମୃତ ସ୍ମୃତି, ଭବିଷ୍ୟ ଭବନ ।୪।
[ରଚନାକାଳ-୧୯୧୭]
ଖେଳା କି ସରିଲା, ଭାଜିଲା ଏ ମେଳା
ଥିବେ ବନତରୁ ବନେ
ନ ମିଶିବ ଆଉ ଶିଶୁ କଳ-ଗୀତି
କୋକିଳ ପଞ୍ଚମତାନେ ।
ବହିବ ଶିଳିଆ ମେଲି ତାର କାୟା
ଫୁଟିବେ କୁସୁମରାଶି
ପ୍ରଭାତ ସପନେ ମୃଦୁ ସମୀରଣେ
ଯିବେ ବା ସରଗେ ଭାସି !
ଯିବ ପାନ୍ଥ ତାର ଅଳସ ନୟନେ
ଅନାଇ ପାଦପ ଶିରେ
ଦୋଚିହ୍ନା ପଲକେ ବ୍ୟଥା କି ମରମ
ଅପସରୁଥିବ ହେଳେ !
ବିଜନ ତଳପେ ଅଳପେ ଅଳପେ
ଥିବେ ତୃଣେ ମଥା ଟେକି,
ପଲ୍ଲବଗହଳୁ ବିନ୍ଦୁ ଅଶ୍ରୁଧାରା
ଝରିବ ତା ଅବଲୋକି ।
ନିଜନ ନିଶୀଥେ ଏ ନିକୁଞ୍ଜ ପଥେ
ଉଠିବ କେତେ ଯେ ଗାନ,
ଏ କଥା ସବୁଟି ଭାଇ, ଏ ମରମେ
ରହିବ ହୋଇ ସପନ ।
ଦି’ଦିନର ଲବ ଲୀଳାଖେଳା ବୋଲି
ତେଜିବେ ବାଟୋଇ ଲୁହ,
କହିବ ଶାଳିଆ ବରଷା-ରାତିରେ
କଥା କେତେ ଗୋପନୀୟ ।
କାହିଁ କେତେ ଦୂରୁ ତା ବୁକୁ ପ୍ରସାରି
ଆସଇ ପଲକେ ଧାଇଁ
ନୀରବେ ଲେଖା ତା ପ୍ରତି ବିନ୍ଦୁ ତଳେ
କେତେ କଥା କାହା ପାଇଁ ।
ଏ ଯେ ଧୂଳି ତଳେ ନୂଆଇଁ କପାଳ
କେତେ ବୀର ଥିଲେ ଶୋଇ,
ଗଲେ କେତେ ବୀର ତୋଳି କରବାଳ
ବିଦାୟ ସଙ୍ଗୀତ ଗାଇ ।
କେତେ ତରୁଣୀର ଅରୁଣ ପରାଣ
ପଡ଼ିଚି ରକତେ ଢଳି,
ଶୁଣିଚି ଏ ଶୀତ ସିକତା-ତଳପ
କେତେ ଶିଶୁ କରତାଳି ।
କେତେ ଅଭିସାର ମନ୍ଦିର ଦୁଆରେ,
ବାଜିଛି ଆଳତି ବାଜା,
କେତେମନ୍ତେ ଆସି ଉଭା ହୋଇଛନ୍ତି
କା’ର କେତେ ହୃଦ-ରାଜା ।
କେତେ ବିଜୟିନୀ ରକତ ନିଗାଡ଼ି
ଏ ତଳେ ଅଛନ୍ତି ମିଶି,
ଭଙ୍ଗା ଇଟା, ଭଙ୍ଗା ପଥର ସିନାଟି
ଗାଇବେ ସେ ଗୀତିରାଶି !
ଜାଣେ ସବୁ କାଳ, ମୂଳ ସବୁ ଏଥି,-
ମୂକ ପରା ଘଣ୍ଟଶିଳା,
କରିଚି ପଥର ହୃଦୟଟି ତାର
ଦେଖି ଏ ମରତ-ଲୀଳା !
ଖେଳା ସିନା ଆଜି ସରିଲା, ଭାଇ ହେ
ମେଳା ସିନା ଗଲା ଭାଜି
ଭାଜିପାରେ କି ଏ ହୃଦେ ଗଢା ଯାହା
ସ୍ମୃତିର ସରଗରାଜି ?
ଖେଳାଇ କୋମଳ ଚରଣ ଏ ତଳେ
ଯିବେ ସିନା ଶିଶୁ ଚାଲି,
ସେ ଚରଣ-ଚିହ୍ନ ଏ ଭୂଇଁ ତଳପେ
ରଖିବ ପ୍ରଦୀପ ଜାଳି !
ସେ କର ପରଶେ ଏ କମ୍ର ପଲ୍ଲବ
ଥରିବା ନୋହିବ ସିନା,
ସ୍ମୃତି ସେ ଥରାଇଦେବ ଯେବେ, ମନ
କରିବ ବା କେ ତା ମନା ?
ବସି ତରୁତଳେ ନିଶି ପୁହାଇବା
ନୋହିବ ଆଉ ଏ ବନେ,
ଦିନୁ ଦିନ ହସି ଉଠୁଥିବ ଖାଲି
ସ୍ମୃତିଟି ହୃଦୟାସନେ !
ନ ଶୁଭିବ ଆଉ ଗୁରୁ ହୃଦୟର
ଏ ମଧୁ ଗମ୍ଭୀର ବାଣୀ
ବନଫୁଲ ତୁଲେ ଆସୁଥିବ ହସି
ଯେବେ ଧୀରେ ଉଷାରାଣୀ ।
ପ୍ରଦୋଷ ସମୀରେ ଚଳାମେଘ ତଳେ
ବସି ଘଣ୍ଟଶିଳା ଚୂଳେ
ଦେଖି ନପାରିବା ଆଉ ସେ ମୂରତି
ସୁଦୂର ଚିଲିକା-ଜଳେ ।
ଶୋଇ ଶିଳାଶେଯେ ଅଳସ ସପନ
ଲଭିଛି ଏ ହୃଦ ଯେତେ
ଖେଳ ଏ ସରିଲା ଫାଟିପଡ଼େ ଆଜି
ନୀରବେ ମାନସତଟେ ।
ପ୍ରତୀଚୀ କପୋଳେ ତାରା ଉଇଁବାର
ଚଇତି ପ୍ରଦୋଷ କୋଳେ
ଦେଖା ସିନା ହେବନାଇଁ ଆଉ ଥରେ
ଘଣ୍ଟଶିଳା ଶିଳା ତଳେ ।
ସେ ସ୍ମୃତିରେ ଦିବା-ରଜନୀ ସୋହାଗେ
ଫୁଟିବେଟି ଅଗଣିତ
କେତେ ତାରା, କେତେ କୁମୁଦବାନ୍ଧବ
ହସାଇ ହୃଦ-ଜଗତ ।
ଲୁଚି ଗୁହାତଳେ ପ୍ରତିଧ୍ୱନି ଛଳେ
ଉଠିବେ କୁହାଟି ମୃଗ
ଖୋଜିବେଟି ନର-ଶିଶୁ ପରିଚୟ
ବୁଲି କେତେ ଯୁଗ-ଯୁଗ ।
ଦି’ଦିନ ଖେଳା ଏ ସପନ ପରାଏ
ହସି ହସି ଗଲା ଚାଲି,
କେତେ ଆଶା, କେତେ କଳପନାପଥେ
ପରାଣ ପଡ଼ିଲା ଢଳି !
କେତେ ଦେବସୁତ ଆସିଲେ ଦୁଆରେ
ଦେବତା ଆଶିଷ ଘେନି,
ମରତ ମାନବ-ଶିଶୁ ସିନା ତାଙ୍କୁ
ବୋଲନ୍ତି ନରେ ନ ଜାଣି ।
ଦେବତା ସୋହାଗେ ଏକୁ ଆନ ବଳେ
ସେ ଶିଶୁ ବାସନାରାଶି,
ଅଧର ଅଧରେ ଅମର ମଧୁରେ,
ବିଶ୍ୱ ଉଠୁଥିଲା ଭାସି ।
ଅଳିକଲା ଅଳି ନିକୁଞ୍ଜ ଉହାଡ଼େ,
ଗାଇଲା କୋକିଳ ଗାନ,
ଆସିଲେ ଋତୁଏ ଘେନି ଅର୍ଘ୍ୟଥାଳି,
ପଥର ଲଭିଲା ପ୍ରାଣ ।
ବାଲି ଧୂଳି ଏ ଯେ ବିନ୍ଦୁଏ ,ବିନ୍ଦୁଏ
ଉଠିଲେ ଜୀବନେ ଥରି -
ସରସ୍ୱତୀ-ତୀରେ ସାମ-ଗାନ ଅବା
ଉଚ୍ଚାରିଲେ ବ୍ରହ୍ମଚାରୀ !
ଯୁଗ-ଯୁଗାନ୍ତର ମରମ ମନ୍ତର
ଫୁଟିଲା ଶ୍ରୀଗୁରୁ ମୁଖେ,
ବିକଶିଲା ଶିଶୁ ସରଳ ଅନ୍ତର
ସେ ପୁଣ୍ୟପ୍ରଭା ଆଲୋକେ ।
ସରିଲା ଏ ଖେଳା, କୁଞ୍ଜପଥେ ଆଜି
ଯିବେ ଚାଲି ବ୍ରହ୍ମଚାରୀ
ଭାଜିଲା ଏ ମେଳା, ସଜନ ନିକୁଞ୍ଜ
ନିର୍ଜନ ହୋଇବ କାଲି ।
ଶ୍ମଶାନ-ପୂଜାରୀ ପରି ଏଥେ ବୁଲି
ଦେଖିବେ ବାଟୋଇ ଜନେ
ଏକୁ ଆନେ ଧୀରେ ହେବେ କୁହାକୁହି
ସଂକୋଚେ ଆପଣା ମନେ-
‘‘କେଡ଼େ ପୁଣ୍ୟବନ୍ତ ମହାତ୍ମା ସେ ଜନ
ବାଛିଲେ ଏ ଦେବଥଳି
ଦେବପୀଠେ ଦେବମୂରତି ଥାପିବେ
ମନେଥିଲେ ନିତି ଭାଳି
ତୋଳି ତରୁତଳେ କୁଟୀର ସୁନ୍ଦର
ଦେଲେ ଦୀକ୍ଷା ଶିଷ୍ୟ-ଜନେ,
ନାହିଁ ନ ଦେଖିଲା ନୟନେ ଏ କଥା,
ଥିବ ବା କାହିଁ ଭୁବନେ !
ମରତ ମାନବେ ଦେବତା ବିଭବ
ଓହ୍ଲାଇ ଆଣିବା ପାଇଁ
କେତେ ଦିବା କେତେ ରଜନୀ ଭାଳିଲେ
ପ୍ରହୁଙ୍କ ଚରଣ ଧ୍ୟାୟି !
ତରୁପତ୍ର ତଳେ ଶିଶିର ପରାଏ
ନୟନ ଲୋତକ ଢାଳି
ଦିବା ବିଭାବରୀ ଗଙ୍ଗା, ଗୋଦାବରୀ
କଳ୍ପନା ଆଣିଲେ ତୋଳି
ଗୋଟି ଗୋଟି ଶିଷ୍ୟ କପାଳ ପରଶି,
ଧୋଇ ଶୁଦ୍ଧ ଅଶ୍ରୁଜଳେ
କହିଲେ ଯେ କଥା ଲୁଚି କି ପାରିବ
ଏ ମର ହୃଦୟ ତଳେ ?’’
ଏ ନିକୁଞ୍ଜ ବନ-ବିହାର ବିଳାସେ
ଖେଳ ଅବସାନ ଏ କି ?
ନବ କିଶଳୟ ନ ଉଠୁ ପୁଲକି
ଅଧାରେ ରହିବ ବାକି ?
ଫୁଲେ ବସି ଅଳି ଶେଷ ନ କରୁଣୁ
ତା ମଧୁ-ଗୁଞ୍ଜନ-ଧାରା;
ପିକ ବସି କୁଞ୍ଜେ ବିଶ୍ୱ-ବିମୋହନେ
ନ କହୁଁ ତା ହୃଦଭାରା;
ଖେଳ ସାରି ଆନ କଳ୍ପନା ବିହାରେ
ଯିବାକୁ ହେଲା କି ବେଳ,
ଅଧେ ବହି ଅଧେ ଧୂଳି ତରୁପତ୍ରେ
ରହିଲା ଏ ପରିମଳ !
ଦୂରର ବାଟୋଇ ଦୂରେ ଯିବେ ଚାଲି
ଧରି ସ୍ମୃତି ହୃଦପଟେ,
କେତେ ବେଶେ ସ୍ମୃତି ଦେଖାଦେଉଥିବ
ଦୁର୍ଗମ ଗହନ ପଥେ !
ଘୋର ବରଷା କାଳ, ଗରଜେ ନିଶା
ମାନବ ବୁଝେନାହିଁ ପ୍ରକୃତି ଭାଷା ।
ସମୀର ଡାକଦିଏ ସଲିଳଧାରେ-
ମୋ ଗତି ଟାଣକରି ଦେବି କି ବାରେ ?
କହ ବରଷା, ଆଉ ନ ପାରେ ରହି
ବରଷ ବରଷ ତ ଗଲାଣି ବହି ।
ମୋ ଗତି କେତେ ଥିର କଲିଣି ଏଥି
ବୁଝିଲାନାହିଁ ତିଳେ ମାନବ ମତି ।
ଅଜାଡ଼ ହେ ବରଷା, ଅଜାଡ଼ ଖରେ
ଶୀତଳ ତବ ଅମ୍ୱୁରାଶି ଏ ପୁରେ ।
ସମ୍ଭାଳି ଧରିବାକୁ ନାହିଁ ତ ଚାଳ
ଖସିଗଲାଣି କାନ୍ଥବାଡ଼ ସକଳ ।
ଏ କାଳେ ଦେବି ବାରେ ପରଶି ମୁହିଁ
ଏକାଳେ ଦେବ ତୁମେ ଜଳେ ଭସାଇ
ଶିର ନୁଆଇଁ ଏଠି ପଡ଼ିବ ତଳେ
ଯାହା କୋଣାର୍କ-ଶିରୀ କାଳ-କବଳେ ।
ଜାଣ କି ଇତିହାସ ବରଷ ସତେ
ଏ ପୁର କିବା ଲୀଳା ହେଲା ଜଗତେ ?
ଶୀତ, କାକର, ମଧୁ, ଗ୍ରୀଷ୍ମ, ଶରତ
ସକଳ କାଳେ ମୁହିଁ ଅଛି ମରୁତ !
ବାର ମାସରେ ତୁମେ ମାସକେ ଆସି
ଯାଉଚ ସିନା ବେଳେବେଳେ ପରଶି
ପରଶିଅଛି ମୁହିଁ ଏ ପୁର ନୀତି
ବିଶିଷ୍ଟ ନିମିଷେଟି ଦିବସ ରାତି ।
ଆଜିଟି ମନେପଡ଼େ ଶୁଣ ବରଷା-
ସେ କଥା କହିବାକୁ ନାହିଁ ମୋ ଭାଷା ।
କାଳ-ସାଗରେ କେତେ ବୁଦ୍ବୁଦ ସରି
ଏକଇ ବୁଦ୍ବୁଦ ଏ କୁଟୀର-ଶିରୀ ।
ମାଟିର ଘର ଏ ଯେ ମାଟିର ବାଡ଼
ଲୁହା ପାଷାଣେ ଏ ତ ନଥିଲା ବଡ଼ ।
ଅମୂଲ୍ୟ ବଇଭବ ନଥିଲା ଏଥି
ଏକଇ ଥିଲା ଏଥି ମାନବ ଯତି ।
ତୋଳିଲା ଘର ସେ ତ ଗଢିଲା ପୁର,
ଆଶାରେ ପ୍ରତିଫଳି ହୃଦ-ମୁକୁର ।
କେତେ ବିଚିତ୍ର ଛବି ଆଙ୍କିଲା ବୁକେ
ଆପଣେ ବଡ଼ କରି ପଲ୍ଲୀ-ମୁଲକେ ।
ଏ ପୁରେ ହସିଲା ତା ପ୍ରୀତି-ପ୍ରତିମା
ଏ ପୁର ଦେଖିଗଲା ବିଭବ ସୀମା ।
ଜୀବନେ ପ୍ରୀତି ବୋଲି ବୋଲନ୍ତି ଯା’ରେ
ନ ଥିଲା ତିଳେ ହେଲେ ଊଣା ଏ ପୁରେ ।
ଦୁଇଟି ପାଦପଦ୍ମ ଏ ଭୂଇଁତଳେ
ଭାବଇ ସତେ କାଲିପରି ବା ଚଳେ !
ଦୁଇଟି ଚଳଚକ୍ଷୁ ସୋହାଗଭରା
ମରତ ପୁରେ ସେ ତ ପ୍ରୀତି-ପସରା ।
ଏ ଭିତ୍ତିପତ୍ରେ କାହା କର-ପଲ୍ଲବ
ଆଙ୍କିଲା କେତେ ଛବି କି ଅଭିନବ !
କା’ ଚାଲି ଚାହାଣି ସେ କା’ ହୃଦତଳେ
କି ଛାପ ଦେଇଗଲା ଜାଣ କି ତିଳେ ?
ସେ ଲାଗି ସିନା ଆଜି କହେ ମୁଁ ଡାକି
ଆହେ ବରଷା ଶତଦୃତି ବିଲୋକି
ମିଶାଇ ଦେବି କାନ୍ଥ, ଚାଳ ମଝିରେ
ବିସ୍ତୃତ ଭୀମଗର୍ଭେ ସ୍ମୃତିକି ଧୀରେ ।
କହିଲା ବରଷା ଡାକି ହେ ପ୍ରିୟ ସମୀର
ମୁଁ କି ଜାଣେ ସାନ ବଡ଼ ନଦୀ ପାରାବାର ।
ବନେ, ଉପବନେ, ଗିରି ଶିଖରେ ପରଶି
ଢାଳିଯାଉଥାଏ ଖାଲି ସ୍ୱୀୟ ବାରିରାଶି ।
ତୁମେ ସିନା ପୁରପଥେ ବିଶ୍ୱରନ୍ଧ୍ରେ ବୁଲି
କେତେ ଭାବେ କରୁଥାଅ, କେତେ ରୂପେ କେଳି ।
ଆଜି ଏ ଯେ ସମାଚାର କହ ମୋତେ ଡାକି
କହ ପୁଣି ଅଛି ଯେବେ କହିବାକୁ ବାକି ?
ଉତ୍ତରେ ବଖାଣେ ବାତ ଶୁଣ ହେ ବରଷା
ଏ କୁଟୀରେ ବାନ୍ଧିଥିଲା ଜଣେ ଆସି ବସା ।
ମାନବ ଜନମପଥେ, ବଡ଼ ସାଧୁପ୍ରାଣ
ପାଇଥିଲା ଜାଣେ, ଗୀତା-ଭାଗବତ ଜ୍ଞାନ ।
ବିଶାଳ ସେ ବଂଶତରୁ, ସେ ତରୁର ଡାଳ
ଶେଷେ ଏବେ ଭାଜିଗଲା ରହି କେତେ କାଳ ।
ନିଜ ହାତେ ସେ ମାନବ ରୋପି କେତେ ତରୁ
ପାଳିଥିଲା ଶୁଣେ ଏବେ ଲୋକବଚନରୁ ।
ନିଜ ହାତେ ରୋପିଥିଲା ଦେବଭୂମେ ଚାରା
ନିଜ ହାତେ ଖୋଇଥିଲା କୁଆ, ବଣି, ପାରା ।
ଗୋ-ସେବାରେ ମନପ୍ରାଣ ଦେଇ ଦିବାରାତି
ଅରଜିଥିଲା ସେ କେତେ ଦୟା ଧର୍ମ ଖ୍ୟାତି ।
ଆପଣା କୁଟୀର ଆପେ ଗଢିଥିଲା ହାତେ
ମୃତ୍ତିକା ପାଷାଣେ ପ୍ରାଣ ମିଶାଇ ନିରତେ ।
ଶେଷେ ଚାଲିଗଲା ଦୂରେ-ଦୂରୁ ଦୂରାନ୍ତରେ
ଜାଣନ୍ତେ ମାନବ ଯହିଁ ଯାଇ ନାହିଁ ପାରେ ।
ସେକୁଟୀରେ ଊର୍ଣ୍ଣନାଭ କଲେ କେତେ ବସା
ଲୀଳାକଲେ ଦେଖିଛି ମୁଁ କେତେ ମାଛି, ମଶା
ସେ ଭିତ୍ତିରେ ଓଦାକରି ଦେଲେ ଢାଳି ବାରି
ଏବେ ମୋ ପରଶେ ସେ ତ ଢଳିଗଲା ପରି ।
ଢାଳ ଢାଳ ବାରି ତୁମେ ଢାଳ ଧୀରେ ଧୀରେ
ଧୀରେ ପରଶିବି ମୁହିଁ ଏ ଭଙ୍ଗା କୁଟୀରେ ।
ଧୀରେ ଧୀରେ ଢଳି ଏବେ ଛୁଇଁବ ଭୂତଳ,
ଦେଖାଇବ ଏ ସଂସାରେ ଅନିତ୍ୟ ସକଳ ।
ଅନିତ୍ୟ ମାନବ ଏଠି ଦୁଇ ଦିନ ପାଇଁ
ଦୁଇ ଦିନ ପାଇଁ ଲୀଳା କରିଯାଏ ରହି ।
ଗଲାବେଳେ ନିଜ ତନୁ ନିଜେ ଯାଏ ଛାଡ଼ି
ଦେଖ ଏ କୁଟୀରଖଣ୍ଡି ଗଲା ଏବେ ପଡ଼ି ।
କହି ଯା’ ଶାଳିଆ ତରଙ୍ଗ ପ୍ରାଣ-ମୋହନ ତାଳେ
ଗାଇ ଯା’ ବିହଗ ନିମିଷେ ଶ୍ୟାମ-ଭାଲେରୀ-ଭାଲେ ।
ଫୁଟି ଯାଆ ଉଷା-କୁସୁମ ପଲ୍ଲୀ ନିକୁଞ୍ଜଭରି
ଅବକାଶ-ଶେଷ-ଦିବସେ ନବ ବିଭବ ଧରି ।
ଯେତେ ଏ ସୋହାଗ ସମ୍ପଦ ନେଇ ମେଲାଣି ସଙ୍ଗେ
ଢାଳିବି କାଲି ଏ ପରାଣ ମନ ବିଭବେ ରଙ୍ଗେ ।
ବେଳୁଁ ବେଳ ମନ ଖେଳିବ ଯେତେ ପଲ୍ଲୀ-ବିଭବ
ସ୍ମୃତିପଟେ ଦେଖି ନିଘଞ୍ଚ-ତରୁ, ଅନନ୍ତ-ନଭ ।
ଗାଇବାର ବନ-ବିହଙ୍ଗ ପଲ୍ଲୀ କୁଟୀରପାଶେ
ଦରହାସ ପ୍ରାଣେ ଶୁଣିବି କାଲି ଦୂର ବିଦେଶେ ।
ଲତାକୋଳେ ପୁଷ୍ପରଜରେ ଦୋଳା-ମିଳିନ୍ଦ-କେଳି
ସ୍ରୋତବେଗେ ସ୍ମୃତିପଟେ ମୋ ପ୍ରାଣ ଉଠିବ ପୂରି ।
ଗାଇ ଯା’ କାନନ-ବିହଙ୍ଗ ହୃଦ-ଉଦନ୍ତ ଯେତେ
ଲତା ଶ୍ୟାମଳିତ ଗହନ ଶିଳା ବନ୍ଧୁର ପଥେ ।
ଜୀବନ ସରିତ ଉରସେ ମୃଦୁ-ମନ୍ଦ-ଲହରେ
ଢାଳିଦେରେ ସୁଧା-ସଙ୍ଗୀତ ଫୁଲ-ପୀରତି ତୁଲେ ।
ଡହଡହ ରବି-ଗଗନେ ଉଦୁଉଦିଆ ଖରା
ଧୂସରିତ-ଦୂର-ଗହନ ବନ-ଶ୍ୟାମଳ-ଧରା ।
ଫେରୁଚି କୁଟୀରେ ପୁଲକେ ଗାଇ ହୃଦୟ ଲେଖା
‘‘ଅବକାଶ-ଶେଷ-ଦିବସେ’’ ଆଜି ଏଇ ମୋ ଦେଖା ।
କାଲି ତ ଫୁଟିବ ଏ ତଳେ କେତେ ଶୋଭା-ସମ୍ପଦ
ବହିଯିବ ମୃଦୁ ସମୀରେ ଶତ ବିହଙ୍ଗ ଛନ୍ଦ ।
ଅଧର କମ୍ପାଇ ଉଷତେ ପଲ୍ଲୀ-କୁମାରୀକୁଳ
ଗୋଟି ଗୋଟି ନେବେ ଉଦାସେ ତୋଳି ଯେତେ ଏ ଫୁଲ ।
ପୂଜିବେ ବାଲୁକା-ଶଙ୍କରେ ଶାଳାବତୀ-ପୁଳିନେ
‘‘ମୋ ପ୍ରଭୁ ସେ’’ ଗାଇ ହରଷେ ଭକ୍ତିପୂତ ଧିଆନେ ।
ବସିଥିବେ ବୋଉ ଦୁଆରେ କ୍ଷଣୁ କ୍ଷଣେ ଅନାଇ
ଛାଡ଼ିବାକୁ ଗଣ୍ଠିଧନରେ ପାଠ ପଢିବାପାଇଁ ।
ବାରୁଣୀ ଜଳଦେ ଖେଳିବେ ଯେବେ ଦିବସପତି
ଫେରିବି ଏ ମୋର କୁଟୀରୁ ଦେଇ ପଦେ ପ୍ରଣତି ।
ଯେତେ ପ୍ରିୟ ସାଙ୍ଗ-ସରିସା ପ୍ରାଣପୁଲକଭରେ
ଅଧାବାଟେ ଦେଇ ବାଟେଇ ଫେରିଯିବେଟି ଘରେ ।
ଚାହିଁଥିବ ପଥେ କାହିଁ ମୋ ପ୍ରାଣପ୍ରତିମ ଭାଇ
କେତେ ଆଶା ପ୍ରୀତି ସେନେହ ହୃଦ-ଆବରି ଦେଇ ।
କାଟି କି ପାରିବି ତହିଁରେ ଆଉ ମନ ସମ୍ୱନ୍ଧ
ବାଳୁତ ବୟସୁ ଯେ ହୃଦେ ହୃଦ ସେନେହ-ଅନ୍ଧ ।
ଶୟନେ ସପନେ ବିହାରେ ଦୂର ବିଜନ ପଥେ
ଜୀବନବନ୍ଧୁ ମୋ କରମ ସଖା ଦେଖେଁ ନିରତେ ।
ହସ ହସ ମୁଖେ ସରଳ-ସ୍ନେହ-ମଧୁର ବାଣୀ
ଫୁଟି ମୋ ପରାଣ-ମୁକୁରେ ଉଠେ କେତେ ଉଜାଣି ।
ଅବକାଶ-ଶେଷ-ଦିବସେ ଘରୁ ଫେରିଲାବେଳେ
ଆଶିଷିବେ ପ୍ରାଣସୋଦର ସୁଧା-ସ୍ନେହ ମନ୍ତରେ ।
ବେଳୁବେଳ ଦେଇ କୋମଳ ଦୃଷ୍ଟି କିଶୋର ଭାଲେ
କେତେ ଯେ ମରମ ବାରତା ଢାଳିଦେବେ ଆଦରେ ।
‘‘ମନେ ରଖିଥିବୁ ଭାଇରେ ପଲ୍ଲୀ କୁଟୀର ତୋର
ଯେତେ ଶଇଶବ ସଖାଏ ପ୍ରାଣପ୍ରିୟ ସୋଦର ।
ଘେନିଥା ପରାଣ-ପିପାସା ପ୍ରାଣ-ପୁଲକଭରା
କହିଥା ଦି’ପଦ ବଚନ ଦୂରେ ଯାଉଛୁ ପରା ।’’
କେତେ ଯେ ତରଙ୍ଗ ପୁଳିନେ ପିଟିଲା କା’ ଆଶେ ସାଗର
ଦିବା-ଯାମିନୀ
କେହି କି ବୁଝିଲେ ତା ହୃଦବେଦନା ଶୁଣିଲେ କି କେ’ବା
ତା ହୃଦବାଣୀ ?
କେତେ ଯୁଗଧରି ବିପିନୁ ବିପିନେ ବୁଲିଲା କୋକିଳ
ତୋଳି ତା ତାନ
କରୁଣେ କି ଆଶେ ରଥାଙ୍ଗମିଥୁନ ପରାଣ-ପ୍ରସାରେ
ଗାଇଲେ ଗାନ ?
ପ୍ରଦୋଷ ତିମିରେ କି ଆଶେ କୁମୁଦୀ ନୀରବେ ଫେଇଲା
ନୟନ ହସି
ମାଧବୀ-ମଣ୍ଡପେ କି ସରୁ ସୋହାଗେ ଗାଇଲା ମଧୁପ
ଫୁଲେ ରହସି ?
ଗିରି-ଦରୀ ତେଜି ବୀଚୀମାଳା ହୃଦେ ତଟିନୀ କା’ ଆଶେ
କାଟିଲା ବାଟ
ଅନୁସରିଲା କି ତା ହୃଦ ପାଶେ କେ ପୋଷଣ-ବନ୍ଧୁର-
ଗିରି-ସଂକଟ ?
କୋଟୀ ଯୁଗ ଅନ୍ତେ କେଉଁ ଅତୀତର ମହାନଭ ତଳେ
ଶୁଭିଲା ବାଣୀ,
କେଉଁ ଜଳଧିର ଅନନ୍ତ-ପୁଳିନେ ଥରିଥରି ଫୁଟି-
ଉଠେ ରାଗିଣୀ ?
କାହା ବୀଣାତାରେ ମୁଗ୍ଧ ଗଗନ ସ୍ତବ୍ଧ ଧରଣୀ,
ପୁଲକେ ଚାହେଁ ?
(ସେତ) ବହୁ ହୃଦୟର ଅନନ୍ତ ବାସନା ଏକା ବୀଣାତାରେ
ଉଦାସେ ଗାଏ ।
ଜଗତ ହୃଦୟେ ଫିଟିଲା ନିଦେଶେ ପରାଣୁ ପରାଣେ
କା’ ଆଶା-ବନ୍ଧ
ପଲକେ ପଲକେ ଖେଳିଲା ଚମକେ ଅନନ୍ତ ଆବେଗେ
ଭାବ-ପ୍ରବନ୍ଧ ।
ବୁଝିଲା ଜଳଧି ତା ହୃଦ-କାହାଣୀ ଯେତେ ଗାଇଥିଲା
ଲଭିଛି ଆନ
ମାଧବୀ-ମଣ୍ଡପେ କୋକିଳ ଶୁଣିଲା ଚିର ପରିଚିତ
ଜୀବନେ ଗାନ ।
ଆଶାର ହୃଦୟ ଫିଟିଗଲା କିବା ? ରଥାଙ୍ଗ ହୃଦୟ
ଆନ ପରଶେ
ବିଭାବରୀ ଭେଦି ଦେଖିଲା କୁମୁଦୀ ତା’ ହସ-ଇତର-
ଜୀବନେ ଭାସେ ।
ତରଙ୍ଗୁ ତରଙ୍ଗେ ଧାଇଁଛି କା’ ଗାନ ମହା ଅମ୍ବୁନିଧି
ମହା ପୁଳିନେ ?
(ସେତ) କବିର ରାଗିଣୀ କବି-ବୀଣା-ତାରେ
ଅନନ୍ତ-ପୁଲକେ ମର-ଜୀବନେ ।
ଏ ଜୀର୍ଣ୍ଣ ବିପଞ୍ଚୀ ବହି ଅତୀତ ସୋହାଗେ
ଗାଅ ନାହିଁ ପଥିକ ବିଜନେ
ଏ ଜୀର୍ଣ୍ଣ କୁଟୀର ଭାଲେ ଦେଖ କିମ୍ପା ଆଉ
କ୍ଷୀଣ ଆଶା ଅଳସ କମ୍ପନେ ?
ଶିଥିଳିତ କଣ୍ଠେ ଆଉ ଥରିଥରି କିମ୍ପା
ଢାଳି ଏ ଯେ କରୁଣ ସଙ୍ଗୀତ
ଲୋଚନ କୁଞ୍ଚନେ ଚାହଁ କି ଆଶେ ସୁଦୂରେ
ଭାଳେ ବସି କି’ବା କ୍ଷୀଣ ଚିତ୍ତ ।
ଉନ୍ମୁକ୍ତ ପ୍ରଶାନ୍ତ ନଭେ ବାଜିଲାଣି ବୀଣା
ଖେଳିଲାଣି ଅନନ୍ତ ମୁଖରି
କେଉଁ ଦିଗ୍ବଳୟ କୋଳେ ଚପଳା ସୋହାଗେ
ନାଦିଲାଣି ସ୍ୱର୍ଣ୍ଣ ଆଶା ଫେରି ।
ବିଶ୍ୱପ୍ରାଣେ ପ୍ରାଣ ଢାଳି ଭାବ ଭାବୋଚ୍ଛ୍ୱାସେ
ଖେଳେ ନର କର୍ମ ଭାସେ ଆଜି
ଚିନ୍ମୟ ସଂପଦେ ଭରା ଦିଗନ୍ତବିସ୍ତାରୀ
ମରୁଶୈଳ ବନ-କୁଞ୍ଜ-ରାଜି ।
ଏ ଜୀର୍ଣ୍ଣ କୁଟୀର ନୁହେ ବାସ ମାନବର-
କ୍ଷୀଣ ଆଶା ପଥିକ ପ୍ରହରୀ
ଏ ବିପଞ୍ଚୀ-ମର ଚିନ୍ତା ଶବଳିତ ତାନେ
ଦୂରୁ ଆସେ ହଳାହଳ ଧରି ।
ଏ ବିଶ୍ୱ ପଥିକ ମୁହିଁ ଅନନ୍ତ ପ୍ରେରଣେ
କୁଟୀର ମୋ ମହା ଉନ୍ମୁକ୍ତତା
ସଙ୍ଗୀତ ମୋ ବନଗିରି ନିଳାମ୍ୱୁ ବାରିଧି
ସ୍ରୋତସ୍ୱତୀ ଅତ୍ୟନ୍ତ ସିକତା ।
ଏ ମହା କୁଟୀରେ ବସି ଏ ମହା ସଙ୍ଗୀତ
ଯାଉ ମିଶି ଏ ମହା ସମ୍ପଦେ,
ଆସ ହେ ଅନନ୍ତ ଦୂତ ‘‘ନବବର୍ଷ’’ ପ୍ରାଣେ
ପୂରୁ ବାଞ୍ଛା ତବ ଆଶୀର୍ବାଦେ ।
ତେଜିଲେ ନ ଯାଅ ମନୁ, ଡାକିଲେ ଆସନା
କିଏ ତୁମ୍ଭେ ଢାଳ ହୃଦେ ଅନନ୍ତ ବାସନା !
ଦେଖାଅ କି ରହସ୍ୟ ଗୋ ନିତ୍ୟ ଲୀଳାମୟୀ
ଏକାଧାରେ ସୁଖ ଦୁଃଖ କୀର୍ତ୍ତି-କଳା ବହି ।
ବାଳକ ଲଳିତ ପ୍ରାଣେ ବୃଦ୍ଧର ମାନସେ
ଯୁବକ ମଧୁର ହାସ୍ୟ ମୋହନ ବୟସେ ।
ବସି ଛଦ୍ମବେଶେ ଦେବି ! ଜାଗ ଅନୁକ୍ଷଣ
କ୍ଷଣୁ କ୍ଷଣେ କରେ ଚିନ୍ତା ଯବନି ପତନ ।
ଅତୀତର କେତେ ଗାଥା ସୁଖ-ଦୁଃଖଯୁତ
ଭବିଷ୍ୟ ମଧୁର-ଲୀଳା ଅନନ୍ତ ବିସ୍ତୃତ,
ପାଦପେ ବଳ୍କଳ ପ୍ରାଏ ଜଡ଼ିତ ତୋ ଅଙ୍ଗେ
ବିଷାଦ, ବିଳାପ, ସୁଖ-ସମ୍ପଦ ପ୍ରସଙ୍ଗେ ।
ଉଠାଅ ମୋ ଜୀବନର ଆଦ୍ୟ ଯବନିକା
ଗାଇବି ବିଷାଦେ ସୁଖେ ବିସ୍ତୃତ ଦାୟିକା ।
ପିତାମାତା ଜୀବନର ପ୍ରତ୍ୟକ୍ଷ ଦେବତା
ଜୀବନ-ସମ୍ୱଳ, ସୁଖ-ସଂପଦ-ବିଧାତା ।
ନିର୍ବିକାର ଚିତ୍ତେ ପୁଣି ଅମ୍ଳାନ ବଦନେ
ପାଳନ୍ତି ସନ୍ତାନେ ସେହୁ ପରମ ଯତନେ ।
କି ସୁଧା ଆନନ୍ଦ ଝର ଫିଟିଯାଏ ବଳେ
ଚିର ସ୍ନେହମୟୀ ମାତା ମଧୁର ଅନ୍ତରେ ।
ଉତ୍ତପ୍ତ ମିହିର କରେ ହିମାଚଳୁ ଯଥା
ଦୁର୍ବାର ସଲିଳଧାରା ସ୍ରବଇ ସର୍ବଥା-
ତେସନ ସନ୍ତାନ-ଦୁଃଖେ ହେଲେ ମ୍ରିୟମାଣା
ଜନନୀ ନୟନୁ ଝରେ ଲୋତକ-ଝରଣା ।
କି ଦୁଃଖ ଯାତନା ସହି ଗଢନ୍ତି ଜୀବନ
ଦିବସ ଯାମିନୀ, ସୁଖେ ଦୁଃଖେ ଅନୁକ୍ଷଣ ।
ପାଳନ୍ତି ଯେ ସ୍ନେହଭରେ ତାଙ୍କରି ଶ୍ରୀପଦେ
ରହୁ ମୋର ମତି ସଦା ସଂପଦେ, ବିପଦେ ।
‘‘ନିରାଶାର ବାଣୀ ଯଦି ଏ ମରମେ
ନିମେଷେ ଯାଆନ୍ତା ଫୁଟି
ମଣନ୍ତି ନିରାଶା- ମୟ ଏ ଜଗତ
ଯାଆନ୍ତା ଏ ଶିରୀ ତୁଟି ।’’
‘‘ଏ ନିଜନ ବାସେ ରୁକ୍ଷ ଗିରିକଣ୍ଠେ
ତପତ ଲୋତକ ଢାଳି
କି ଲାଗି ନିରାଶା- ସରଣୀ ଲୋଡ଼ ହେ
ପଥିକ ପରାଣ ଭରି ?
ପରାଣେ ପରାଣେ ସୋହାଗ-ସଂପଦ
ବହଇ ଅନନ୍ତ ପ୍ରୀତି
ଉଦାସ-ବିହାରେ ଦୂରେ ଭାସେ ତବ
କିପାଁ ହେ ନୟନ ଜ୍ୟୋତି ?
ଏ କନକ ଭୂଇଁ ସରଗ-ସଂପଦ
ଉଛୁଳେ ପୁଲକେ ଧରା
ଅଳସେ ଗାଉଚ କି ଲାଗି ଏ ଗୀତ ?
ସାଥୀ କେ ନାହାନ୍ତି ପରା ।’’
‘‘ସାଥୀ କି କରିବେ ଜୀବନେ ବାବୁ ହେ
ସାଥୀ ମୋ ସଙ୍ଗୀତ ଏଥି
ଆଖି ଫାଟିଯାଏ ଲୋତକ-ଲହୁରେ
ଦୂର ପଥେ ସାଥୀ ଚିନ୍ତି ।
ଦୂର ପଥ ସେ ଯେ ତିନିକୋଶ ଏଠୁଁ-
ଦୂରେ ମୋ ଜୀର୍ଣ୍ଣ କୁଟୀର
ପ୍ରାଣର ସଂପଦ ତିନୋଟି କଳିକା
’ଛନ୍ତି ସାଥୀ ହୃଦୟର ।
ଦି’ଦିନ ଆଜିକି, କୁଟୀର ଛାଡ଼ିଚି
ଏ ଜୀର୍ଣ୍ଣ ଝୁଲିଟି ବହି
ସାତଖଣ୍ଡ ଗାଆଁ ବୁଲିଆସିଲିଣି
ଭିକ ମୁଠେ ମୁଠେ ପାଇଁ ।
ପେଟ ନ ପୂରିଲା ଏ କାନ୍ତାରକାଳେ
ଝୁଲି ମୋ ପଡ଼ିଚି ଖାଲି
ସତେ କି ଜୀବନେ ଥିବେ ମୋ ଆଉ ସେ
ଏ ହୃଦ-ସାଥୀ-ସଙ୍ଖାଳି ।
କେତେ ଯେ ଗ୍ରୀଷମ ହେରିଛି ନୟନେ
ଗାଇଚି ସଙ୍ଗୀତ ଶତ
ସେ ସଙ୍ଗୀତେ ଆଜି ଢାଳିବାକୁ ମନ
ଆଉ ତ ନବଳେ ଚିତ୍ତ ।
ଲଭନ୍ତା ଯଦି ମୋ କ୍ଷୀଣ ଆଶାରେଖା
ଦେଖନ୍ତି ନିରାଶା ଖାଲି
କି ଲାଗି ଥାଆନ୍ତି ବାସନା-ଦୁଆରେ
ଆଉ ତା’ ଅତିଥି ବୋଲି ।
ଫେରିବି ନାହିଁ ସେ କୁଟୀରେ, ନିରାଶେ
ଥାଆନ୍ତୁ ଧନ ମୋ ତହିଁ
ଏ ବନେ ତେଜିବି ଏ ଦୀନ ପରାଣ
ନିରାଶା ସଙ୍ଗୀତ ଗାଇ ।
ଛଳ ଛଳ ନେତ୍ରେ ତେଜିବେ ପରାଣ
ଧନ ମୋ ବିଜନ ବାସେ
ଭେଟିବେ ବୋଲି ସେ ଜନକେ ଦୋସର
ଶିଶୁ ହୃଦେ ଆନ ଦେଶେ ।’’
ଯାଅ ସମୀରଣ ଯାଅ ହେ ପଥିକ
ଯାଅ ବିହଙ୍ଗମ ଦୂରେ
ନିରାଶେ ପଥିକ ଏ ବନେ ଗାଇବ
ନିରାଶା ସଙ୍ଗୀତ ବାରେ
କରୁଣା-ସରିତପତି ହେ ଅମୃତମୟ
ବୁଝିପାରୁନାହିଁ ତବ କରୁଣା-ନିଚୟ
ଜୀବନ-ଜାହ୍ନବୀ ଧରା ବ୍ରହ୍ମାଣ୍ଡ ଗରଭେ
ପଲକେ ସଞ୍ଚରି ଖେଳେ ତ୍ରିଦିବ ବିଭବେ ।
ଅମୃତର ଦିବ୍ୟ-ଜ୍ୟୋତି ଅନ୍ତରେ ଅନ୍ତରେ
ବିଳସେ ଜୀବନପଥେ କି ଉଲ୍ଲାସଭରେ ।
ଗୁରୁ ଶିଷ୍ୟ, ପତି ପତ୍ନୀ ହୃଦୟ-ଆଗାରେ
ବିଳସେ କି ଭକ୍ତି ପ୍ରୀତି ମହାମହିମାରେ ।
ଜନକ, ଜନନୀ, ସୁତ, ଭଗିନୀ ସୋଦର
ତବ ପ୍ରେମେ ବନ୍ଧା ଭବେ ହୃଦେ ହୃଦୟର ।
ତବ ସେହି ଦିବ୍ୟ-ଜ୍ୟୋତି ପୀୟୁଷ-ସମ୍ମିତ
ପାପାନ୍ଧ ମାନବ ପଥ କରେ ଆଲୋକିତ ।
ନିଖିଳ ବ୍ରହ୍ମାଣ୍ଡ ଗାଏ ତବ ମହିମାର
ଲଳିତ ମଧୁର ମନ୍ଦ୍ର ଗୀତି ଅନିବାର ।
ଆଜି ଏ ଅଦିନେ ଆଜି ଦୁର୍ଦ୍ଦିନେ
କାହାର ଝରେ ଏ ଲୁହ,
କାହାର କୁଞ୍ଜ ଶିଥିଳ କୁସୁମ
ଫିଟିପଡ଼େ ନବବଧୂ ପ୍ରୀତି ସମ,
କାହା ଖେଳା ଅତରଳ ଲାସ୍ୟ
ଝରିଆସେ ଅହରହ,
କିଏ ପାର କିଏ କହ ।
ନଦୀ ତୀରେ ତୀରେ ଶ୍ୟାମଳିମା ଝରେ
କାହାର ଫୁଲ୍ଲହାସେ
ଫୁଟେ ଜାଇ, ଯୂଇ, ମାଳତୀ ମୁକୁଳ
ଉପବନ ବାଳା ଶୁଭ୍ର ଦୂକୁଳ
ଫୁଟେ ଗୋ ଶଂପା ଫୁଟେ କଦମ୍ୱ
କାହାର ପରଶଭରେ
କହ କିଏ ଅଛି ଦୂରେ ।
ବରଷା ଗୋ ମୋରେ ସରସ କର ଗୋ
ନଦୀତୀର ତରୁ ସମ
ଝର ଝର ଝର ପତରଗହଳେ
ବରଷା ରାଣୀର ମରମ ତରଳେ
କୋରକ ମୁକୁଳ ହୁଏ ମୁକୁଳିତ
ମୁକୁଳାଅ ମୋର ମନ
ଆଜି ଏ ବରଷାଦିନ ।
ସଜନ ନଗରେ ଅବା ବିଜନ କାନନେ
ଦୂର ଭୀମ ସିନ୍ଧୁକୋଳେ କିବା ନୀଳ ଘନେ ।
ଧରାରାଣୀ ଶିର ତୁଙ୍ଗ ଭୂଧର ଶିଖରେ
କି ଅବା ତପନ-ତପ୍ତ ସୈକତ ପ୍ରାନ୍ତରେ ।
ନୀରବ ପରାଣେ କେତେ ଅଶ୍ରୁଜଳେ ଭାସି
ବହୁଦିନ ପ୍ରାଣେ ତାକୁ ଖୋଜିଲିଣି ଆସି ।
ନ ଦେଖିଣ କ୍ଷଣେ ହାୟ ! ହୃଦୟ ବିକଳ
ନୟନର ତାରା ସେ ମୋ ଜୀବନ-ସୋଦର ।
ଥିଲା ଯେତେ ଦିନ, ଥିଲି ଆନନ୍ଦେ ତା ପାଶେ
ଏବେ ତ ଯାଇଛି ଚାଲି ବହୁ ଦୂର ଦେଶେ ।
ବୟସେ ! ଶୈଶବେ ମୋର ନୟନର ତାରା
ବାଲ୍ୟେ ଥିଲୁ ଜୀବନର ଆନନ୍ଦପସରା ।
କିଶୋର ଜୀବନେ କାହିଁଗଲୁ ତୁ ଏକାକୀ
ବ୍ୟାକୁଳେ ଖୋଜଇ ବୁଲି ଦୁଃଖେ ଡାକି ଡାକି ।
ଅଦିନ ମେଘ ତେଣୁ ଆସଇ କାହୁଁ
ପାଣିକି ଗରା ଧରି ଯାଏ କା ବୋହୂ
ପବନ ମାରେ ଆଗୁ ପଣତ ପେଲି
ମୁକୁଳା କେଶପାଶ ଉଠଇ ଖେଳି ।
ସେ ପାଖ ତୋଟାମାଳେ କୁହାଟ ମାରେ
ଗଉଡ଼ ଗାଈ-ଗୋଠେ ଲଉଡ଼ି-କରେ
ଚମକି ଚାହେଁ, ତେଣେ ବିଜୁଳି ହସେ
ନିବିଡ଼ ବୁକେ ତାର ଛନକା ପଶେ ।
ଚରଣ ଚାଳେ ବେଗେ ଫେରିବ ବୋଲି
ପଣତ ଦେଲେ ଯେତେ ପଡ଼ଇ ଖୋଲି
କରେ ତା ଗରା, କରେ ଧରାଇ କାନି
ଟପରଟପ ପଡ଼େ ବରଷା ପାଣି ।
ସେ ପଟେ କିଆବଣ, ଏ ପଟେ ବିଲ
ମଝିରେ ଚାଲେ କିଏ ନୁଆଁଇ ଶିର
କଳସୀଭରା ପାଣି ଚହଲି ପଡ଼େ
ତନୁରେ ଓଦା ଲୁଗା ଜଡ଼ଇ ଜଳେ ।
ଅଦିନ ମେଘ ଦିଶେ ନିବିଡ଼ କଳା
ନିବିଡ଼ ହୃଦ ତାର ବାସନାଭରା ।
ଦୂରେ ତା ପରବାସ ପରାଣସଖା
ସ୍ମୃତିରେ ଦିଏ କାଟି ବିଜୁଳିରେଖା ।
ହୋଇଲେ ଜମା ତାର ଛାତିରେ ମେଘ
ନୟନୁ ଝରେ ପାଣି ହୃଦୟାବେଗ
ଏ କାଳେ ପ୍ରାଣସଖା ରହିଲେ କାହିଁ
କହିବ ମେଘ ପରା ବାରତାବାହୀ !
‘‘ପ୍ରଦୋଷ ଅରୁଣ କନକ ସୋହାଗେ
ଝଳେ ବନଗିରି, ସର, ସରିତ
ଏକାକିନୀ ଏ ଯେ କି ଲାଗି ଅବଳେ !
ଦୁଃଖଭରା ତବ ସରଳ ଚିତ୍ତ ।
ନିଗାଡ଼ି ନୟନୁ ଏ ଲୋତକଧାରା
ଝିଙ୍ଗାସି ବଚନ ନ କହ କା’ରେ
ପ୍ରବାଳ-କପୋଳେ ନିରାଶର ସ୍ମୃତି
ଖେଳିଯାଏ କି’ବା କୁଟିଳ-ଗାରେ ।’’
‘‘ପଥିକ ଜୀବନେ କି ସମ୍ପଦ ବହି
ବୁଲୁଛ ବାପ ହେ ତରୁଗହଳେ
କମଳୁ କୋମଳ ଏ ମଧୁ ପରାଣେ
ଭାଗୀ କିମ୍ପା ହେବ ଏ ଦୁଃଖଭାରେ ।
କହ ଯେବେ ବାବୁ ! ଗାଇବି ନିମିଷେ
ଦୁଃଖିନୀ ହୃଦୟ କ୍ଷୀଣ-କାହାଣୀ
ମୋ ଦୁଃଖେ ଯଦି ବା ତମ ହୃଦ କାନ୍ଦେ,
ଲଭ ଯଦି ସୁଖ ଶୁଣି ମୋ ବାଣୀ ।
ବରଷୁ ଅଧିକ ହେବ, ଏହି ବନେ
ଏହି ତରୁମୂଳେ, ଏହି ପ୍ରଦୋଷେ
ଜୀବନର ସ୍ମୃତି ଧମନୀ-ଶୋଣିତେ
ଜଡ଼ିତ ଏହି ମୋ କରୁଣ ଭାଷେ ।
ଜୀବନ-ସଙ୍ଖାଳି ଗଳାର ମାଳି ମୋ’
ଏହି ତରୁମୂଳେ ଯାଇଛି ଲୁଚି
ଶତ ଶୀତ ଖରା ପରଶିଲାଣି,ଏ-
ଘରେ ଧନ ନାହିଁ ପହଞ୍ଚି ଅଛି ।
ମନେ ଅଛି ଯେବେ ଘେନି ଫୁଲଡାଲା
ଚଞ୍ଚଳ-ଚଳନେ ତୋଳଇ ଫୁଲ
ଦେଖିନି’ ସରସୀ ଶାରଦ-ଲହରେ
ସେ ମଧୁ ବିହାରେ ହେବାକୁ ତୁଲ ।
ଦିବା ଶେଷେ ଦିନେ ଶଂକିତ-ମରମେ
ସଙ୍ଖାଳି-ଆକୁଳେ ଦେଖିଲି ଏଠି
ଯେ ଛବି, ଆଜି ଏ ନୀରସ ପରାଣୁ
ଭାଷା ସଙ୍ଗେ ଚେତା ଯାଉଚି ତୁଟି,
ରକତ-ଆଶାରେ ତିନ୍ତାଇ ଏ ଭୂଇଁ
ଲୋଟେ ଶିରଟି ତା’ ଧୂଳି ଆଦରି
ନିଠୁର କରମେ କ୍ରୂର କେବା ଦସ୍ୟୁ
ଘେନିଛି ପରାଣ ସମ୍ପଦେ ଭୁଲି ।
ଏହି ଗର୍ଭେ ଧରି ଦଶ ମାସ, ଆହା !
ପାଳିଥିଲି ବାବୁ ! ଏ କରେ, କୋଳେ,
ଆହା ଏହି କରେ ଶୋଣିତବୋଳା ସେ
ଛିନ୍ନ-ଶିରଟି ତା’ ଧଇଲି ବାରେ ।
ଆକୁଳେ ଡାକିଲି ଅନନ୍ତ ଗଗନେ
ତିଳେ ନ ପୂରିଲା ଦୁଃଖିନୀ ଆଶା
ଏହି ବନଗିରି ପ୍ରତିନାଦ ଛଳେ
ଫେରାଇଦେଲେ ମୋ ସକଳ ଭାଷା ।
ବାପା ହେ ! ଏ କରେ ସଜାଡ଼ିଲି ଚିତା
ଜାଳିଦେବା ପାଇଁ ଧନ ବଦନ
ନିମିଷେ ହେଲା ସେ ପାଉଁଶ ମୁଠିଏ
ପାଷାଣୁ କଠିନ ହେଲା ଏ ପ୍ରାଣ ।
ସେହି ଦିନୁ ରଚି ଏ ମୂଳେ ଏ ବେଦି
ଦିବା-ନିଶି ଥାଏ ଏକାଟି ଏଥି
ନ ଲୋଡ଼େ ପରାଣ ଧନ ବିନା ଆଉ
ଏ ମର-ସଂସାରେ ଆନ କେ ସାଥୀ ।
ଛଳ ଚଳ ହେଲା ଏ ନୟନଯୁଗ
ପ୍ରଦୋଷ ଗଗନେ ଚାହିଁଲି ବାରେ
ଆକୁଳେ ଦି’ପଦ ଭାଷି ବାହୁଡ଼ିଲି
ଆନ-ଦିନ-ଦେଖା-ବାସନା ତୁଲେ ।’’
ଛାଇଲା ତିମିର ଅନନ୍ତ ଧରଣୀ
ସେ ବନେ ଅବଳା ରହିଲେ ଏକା
ସେ ପଥେ ଫେରିଲି ଏକାକୀ କୁଟୀରେ
ପୋଷି ପ୍ରାଣେ କେତେ ଆକୁଳ-ଶଙ୍କା ।
ନିକୁଞ୍ଜ ମଣ୍ଡପତଳେ ପ୍ରେମରଙ୍ଗେ ନିତି
ଲଭେ ଦରହସା ପୁଷ୍ପ ନିସର୍ଗ ପୀରତି ।
ମଧୁପ ମୋହନ ଗୀତି ପ୍ରେମ କୁତୂହଳେ
ଶୁଣ ଗୋ ସୁନ୍ଦରି ! ତହିଁ ସନ୍ତତ ନିରୋଳେ ।
ସେ ଦେଶ କୁସୁମ ନୁହେ ଏ କୁସୁମ ପରି
ସେ ବିହଗ ଗାନେ ଭରା ସରଗ ମାଧୁରୀ ।
ସେ ଦେଶ ପ୍ରଭାତ ସନ୍ଧ୍ୟା ଗଗନ-ସମୀର
ମଧୁମୟ, ପୁଣ୍ୟମୟ ସେ ଦେଶେ ସକଳ ।୧।
ବହୁ ଦିନ ଅବକାଶେ ପଡୁଅଛି ମନେ
ଭାସୁଛି ମୋ କେତେ ଛବି ମାନସ-ଗଗନେ ।
ଆକୁଳ ମଉନେ କେତେ ମରମ ବାସନା
ଫୁଟିଆସେ ସୁନ୍ଦରି ଗୋ, ଭେଦି କଳପନା ।
ଭାବିଥିଲି ବିରଚି ମୁଁ ସେ ଦେଶେ କୁଟୀର
ବରଷା ନିଦାଘେ ତହିଁ ପାତିବି ଏ ଶିର ।
ଯେତେ ନିନ୍ଦା ଅପମାନ ସହି ମର ପ୍ରାଣେ
ସଜାଡ଼ି ରଖିବି ପ୍ରୀତି ଆନନ୍ଦେ ଯତନେ ।୨।
ଯେ ଦିନୁ ଛାଡ଼ିଚି ଦେଶ ହୋଇ ମୁଁ ଅତିଥି
ଜାଣିଛୁ ସେଦିନୁଁ ଦୁଃଖ ପ୍ରାଣ ଚିର ସାଥୀ
ସେଦିନ ସ୍ମୃତିଟି ପ୍ରାଣେ ଖେଳୁଛି ଗୋ ଆଜି
କୋଳେ ବହି କେତେ ସୁଖ ଦୁଃଖ ଚିନ୍ତାରାଜି ।
ଭେଟିଥିଲି ତୋ ନିମିଷେ ସେ ଦେଶ ବିଭବେ
ତଟିନୀ ସରସୀ ବନ ନିକୁଞ୍ଜ ଗରଭେ
କୁସୁମ କୁସୁମେ ହାସ ବହି ଏ ପରାଣେ
ଭୋଗିଥିଲି ପୁଣ୍ୟ ପ୍ରୀତି ଏ ମଧୁ ଜୀବନେ ।୩।
ତରଳ ଆନନ୍ଦେ ଚାଳି ଯୁଗଳ ପୟରେ
ସରଳ ବିହାରେ ଆସୁଥିଲି ଗୋ ସରଳେ !
ଭେଟିଲି ସରଣୀ ପ୍ରାନ୍ତେ କନକପ୍ରତିମା
ସେହି ତୁମ୍ଭେ ଏ ପରାଣ ପ୍ରୀତି-ମଧୁରିମା ।
ଲୋଡ଼ି ତ ନଥିଲି କ୍ଷଣେ ଆସିବାକୁ ପାଶେ
କିପାଇଁ ଗୋ ଆସ ଆଜି ଏ ଦୂର ପ୍ରବାସେ ।
ଦିନେହେଲେ ସ୍ୱପନରେ ନଥିଲି ତ ଚିନ୍ତି
କିପାଇଁ ହୋଇଛୁ ଆଜି ପରାଣ ଅତିଥି ।୪।
ବାଧା ବନ୍ଧ ବିପଦର ଭୀଷଣ ତାଡ଼ନେ
କର୍ମେ ରତ ବିଶ୍ୱବାସୀ ଏ କର୍ମ ଅଙ୍ଗନେ ।
ଏ ମୋ କ୍ଷୁଦ୍ର ହୃଦୟର କ୍ଷୁଦ୍ର ଆଶା ଧରି
ଏକାକୀ ଯାଉଛି ତହିଁ କର୍ମ ଅନୁସରି
ସଖା କେ ନାହାନ୍ତି ପ୍ରାଣ ଆଶ୍ୱାସନେ ପାଶେ
ନିଜେ ଧାଇଁଅଛି, ନିଜ ବିଭବ ସକାଶେ
ହୃଦୟ ତୋରଣେ ବସି ବିଦ୍ୟୁ ମୃଦୁହାସେ
ଡାକ କି କାରଣେ ସତ ସନ୍ତତ ଉଲ୍ଲାସେ ।୫।
ମଣଇ ଜୀବନ ଏବେ ମହାଗୁରୁଭାର
ବର୍ଣ୍ଣିବାର ଶକ୍ତି ନାହିଁ ଏ ମୋର ଭାଷାର
କି ଅବା ପଳିବ ଫଳୁ ଦୂର ଭବିଷ୍ୟତେ
ଆସିଛି ତ ଧରିବି ଏ ଜୀବନ ଉଷତେ ।
ଏତିକି ମାଗୁଣି ପଦେ ଘେନିଯାଅ ସତୀ
କୁସୁମ ଦର୍ଶନେ ଯେବେ ହସନ୍ତି ବ୍ରତତୀ
ସେ ନିସର୍ଗ ଉଷା ଏବେ ଜୀବନେ ବିଳସେ
ମିଳାଇବ ଅଙ୍ଗ ଦିନେ ପରାଣ ପ୍ରଦୋଷେ ।୬।
ଗାଅନା ଗାଅନା ଭାଇ ମରମ କାହାଣୀ
ଅଧର କମ୍ପନୁଁ ମଗୁଁ ପାରିଛି ମୁଁ ଜାଣି
ସରଳ ହୃଦୟେ ଯେତେ ଭାବଭଙ୍ଗୀ ଖେଳେ
ଭାସିଯାଏ କିବା ନେତ୍ରେ କୋମଳ-କପୋଳେ ।
ଦୁଃଖ ଦୁଃଖମୟ ପ୍ରାଣ କି ଭାଷିବ ବାଣୀ
ଗାଅନା ଗାଅନା ଭାଇ ମରମ କାହାଣୀ ।
କାନନ ରାଇଜେ ଚାରୁ କୁଞ୍ଜତଳେ ବସି
ଦେଖଇ ନୟନଭରି ନିତି ରବି ଶଶୀ ।
କୁସୁମ-ମଧୁପ ପ୍ରେମେ ଦେଇଛି ମିଳାଇ
ଜୀବନ ମରମ ଗୀତି ପରବାସେ ଥାଇ ।
ପରତେ ନଥିଲା ବନ୍ଧୁ, ଏ ଶୁଭ ନିମିଷେ
ବଖାଣିବି ବୋଲି ମନକଥା ତବ ପାଶେ ।
ପରାଣେ ଉଠଇ ଶୋକ-ସରିତ ଉଜାଣି
ଗାଅନା ଗାଅନା ଭାଇ ମରମ କାହାଣୀ ।
ତିମିର ତରଙ୍ଗ ଯେବେ ଯାମିନୀ ସାଗରେ
ଖେଳିଆସେ ଗିରିଚୂଡ଼ା ଡେଇଁ, ଧରାତଳେ ।
ଏକାକୀ କୁଟୀରେ ବସି କଳପଇ ମନେ
ସ୍ନେହ-ଜରଜର ତବ ସରଳ ବଦନେ ।
କି ବିଭବ ହୃଦେ ସେ ଯେ ନପାରଇ ଜାଣି
ଗାଅନା ଗାଅନା ଭାଇ ମରମ କାହାଣୀ ।
ସ୍ୱର୍ଣ୍ଣ-ଭବିଷ୍ୟତ ମୋର ହେବ ଛାରଖାର
ଲୁଚିଯିବ ଯେତେ ସ୍ମୃତି ପୁଣ୍ୟ ଅତୀତର ।
ନିରାଶ ମଉନେ ହୃଦ ହୋଇଯିବ ହାଣି
ଗାଅନା ଗାଅନା ଭାଇ ମରଣ କାହାଣୀ ।
ଯୁଗଳ ନୟନେ ତବ କେତେ ରଙ୍ଗେ ଭାସେ
ଗୋଟି ଗୋଟି ଅଶ୍ରୁବିନ୍ଦୁ ନୀରବ ଉଦାସେ ।
ହୃଦୟର ଧନ ସେ ତ ଜୀବନ-ସମ୍ୱଳ
ନିରାଶ ପରାଣେ ଢାଳେ ଆଶା ଅବିରଳ ।
ଦେଇ ଯାଆ ଭାଇ ତହୁଁ ଦୁଇ ବିନ୍ଦୁ ବାରି
ସୋଦର ବିଦାୟେ ଏ ମୋ ଚରଣେ ଗୁହାରି ।
କେଉଁ ଦୂରେ ଅତୀତର ସ୍ମୃତି-ସ୍ରୋତେ ଆସି
ଏ ଯେଉଁ ଲୋତକକଣା ନେତ୍ରେ ଯାଏ ଭାସି
ସରଗର ଧାରା ସେ ଯେ ଅନ୍ତରେ ଅନ୍ତରେ
ନୀରବ ସରଳେ ଭାସିଯାଏ ମହୀତଳେ ।
ସେ ଯେଉଁ ଲୋତକକଣା ଭାସିଯାଏ ପ୍ରାଣେ
ଉଦାର ବିଭବେ ଭାବ ଅନନ୍ତ ବିତାନେ
ନୁହେ ସେ କଣିକା ଆହା ! କଣିକା ମାତର
ସେ ଗର୍ଭେ ନିହିତ କେତେ ଭୀମ-ପାରାବାର ।
କେତେ ଦୁଃଖ-ବିପଦର ଉତ୍ତୁଙ୍ଗ ‘ଶଇଳ’
ସୁଖ-ସଂପଦର କେତେ ଉଚ୍ଛଳ କଲ୍ଲୋଳ
କାହିଁ ଦୂର ଚକ୍ରବାଳେ କେତେ ଆଶା-ତରୀ
ଭାସିଆସୁଥାଏ କେତେ ଭବିଷ୍ୟତ ଧରି ।
ବିନ୍ଦୁଗର୍ଭେ ସିନ୍ଧୁ ! ଅହୋ ! କି କଳିବ ଚିତ୍ତ
ଉଠୁଥାନ୍ତି ଦୂରେ ଯେଉଁ ନୀରବ ସଙ୍ଗୀତ ।
ବଦନତଟରେ ହସ ତାର ନାଇଁ
ଲାଜ-ସରମର ବାହାରେ
ବସନ ମୁକୁଳା, କର ପାତି ଠିଆ
ଭିକ୍ଷା ମାଗୁଚି, ଚାହାଁ ରେ ।
ଲୋଚନ ରହିଚି ଦରମୁକୁଳିତ
ନିଦ୍ରା କରିନି ପରଶ
ଶିଥିଳିତ ଗତି, ବୁଲେ ଦିନରାତି
ଷୋଳ କି ସତର ବରଷ ।
କେବେ ଥିଲା ହସି ବରଷକ ତଳେ
କେବେ ଚାହିଁଥିଲା ସରମେ,
ଆଶାର କୁସୁମ ଫୁଟିଥିଲା ଅବା
କେବେ ତାର ଏଇ ମରମେ ।
ସଂକୋଚେ କେବେ ଚାଳିଥିଲା ପାଦ
ଗଲାବେଳେ ତୋଠେ ପାଣିକି
ଆଜି ତା ସପନ, ବିକଳ ଜୀବନ
ଲୋଡ଼ି ବୁଲେ ଯିବ କେଣିକି ?
ତେଜି ତ ଦେଇଛି ପାଶୁଁ, ଯାଇଛି ସେ ଚାଲି
କି ଭାଳିବି ତହିଁ ଆଉ ବୃଥା ଅଶ୍ରୁ ଢାଳି ।
ଅନ୍ତରୁ ଦେଇଛି ସେ ତ ଅନ୍ତିମ ବିଦାୟ
ମୋ ଲାଗି କି ହେବ ଆଉ ବିଷାଦେ ଅଥୟ ।
ତଥାପି ନ ଜାଣେ ମୁହିଁ କରଇ କି ଚିନ୍ତା
ନୀରବେ ବସିଣ କେତେ ପୁଚ୍ଛଇ ବାରତା ।
ନ ବାହାରୁ ମୁଖୁଁ ବାଣୀ ପଡ଼ଇ ଚମକି
ଭାବଇ ଅନ୍ତରେ ବସି ବନ୍ଧୁ ଭାଷିଲେ କି ?
ଚମକି ଦେଖଇ ପୁଣି ନୀରବ ଜଗତ
ନୀରବ ଗଗନଦେଶ ସରସୀ ସରିତ ।
ଶୂନ୍ୟଦେଶେ ଶୂନ୍ୟପ୍ରାଣେ ଭ୍ରମଇ ମୁଁ ଏକା
ନୀରବେ ଗାଇଣ କେତେ ଜୀବନ୍ତ ଦାୟିକା ।
ଏତିକି ମାତର ପ୍ରାଣୁ ପ୍ରଶ୍ନ ଜାଗିଆସେ
‘‘ମୋତେ ଛାଡ଼ି ମୋର ବନ୍ଧୁ ଗଲେ କେଉଁ ଦେଶେ ?’’
ଆଜି ଏ କାନ୍ତାରେ କି ଗୀତ ବସି,
ଗାଅ ରେ କପୋତ ମନ ନିବେଶି
ଏ ନିର୍ଜନ ସ୍ଥଳୀ, ଦେଇଛୁ କି ଢାଳି
ପ୍ରାଣେ ଉପଲବ୍ଧି ଅମିୟରାଶି ।
ଗ୍ରୀଷମ ସମୟ ବଡ଼ ଦାରୁଣ
ସେ ବିଷୟେ ତୋତେ ନାହିଁ ବାରଣ
କି ପ୍ରାଣ-ଉଲ୍ଲାସେ ଏ ତପନ ତ୍ରାସେ
ଆନନ୍ଦେ ନିବେଶ ତୋ ପଞ୍ଚପ୍ରାଣ !
ଲଭି ତୁ ଏ ଘୋର ଯାତନା କ୍ଲେଶ
ଦେଖିଛି ନୋହୁ ତୁ ଲେଶେ ବିରସ
କି ପ୍ରେମ-ସୁଧାରେ ଆଜି ବସୁଧାରେ
ଉଛୁଳାଉ ଭାବ ଧ୍ୟାୟି ମହେଶ ।
କି ପ୍ରାଣ-ଉଲ୍ଲାସେ ସୁମନେ ଧ୍ୟାୟି
ମହେଶ ଶ୍ରୀପଦେ କି ଗୀତ ଗାଇ
ମଣିବା ସଙ୍କଟ ଭବ ଘୋର ହାଟ
ତରିବାକୁ ବାଇ ହୋଇଛୁ ତୁହି ?
ନାହିଁ କେହି ଏଥି ତୋ ବନ୍ଧୁଗଣ
ଏକାକୀ ତୁ କା’କୁ କରୁ ଭଜନ
କେତେ ନବ ଭାବ ଉଛୁଳି ପଡ଼ୁଛି
ତୋର ପୂତ ସ୍ୱନୁ ଉଠି ସଘନ ।
ସେ ଭାବଧାରଣେ ନୁହେ ମୁଁ ଯୋଗ୍ୟ
ଏ ସଂସାର-ଭୋଗ ନୁହେ ମୋ ଭୋଗ୍ୟ
ଦଣ୍ଡକ ସକାଶେ ସିନା ମୁଁ ଏ ଭବେ
ତୋ ପୂତ ପ୍ରେମରେ ହେଲି ଆରୋଗ୍ୟ ।
କରୁଛୁ କାହାକୁ କାତରେ ନତି
ଶିଖାଅ ମୋତେ ତୁ କରେ ମିନତି
ଏ ଦୁଃଖ-ସଂସାର ଘୋର ଭୟଙ୍କର
ମଣେ ମୁଁ ଏସବୁ ସଦା ଅରାତି ।
ପ୍ରଭୁ ମହେଶ୍ୱର ପୂଜା ବିଧାନ
ସେ ପଦାରବିନ୍ଦେ ନ ଜାଣେ ଧ୍ୟାନ
ଏ ସନ୍ତପ୍ତ ପ୍ରାଣ ଉଦ୍ଧାର-କାରଣ
ବତାଅ କପୋତ ପୁଣ୍ୟ ନିଦାନ ।
ଅନନ୍ତ ପ୍ରେମରେ ଯାଉ ଏ ଭାସି
ଯାଉ ମୋର ମନ ତା ସଙ୍ଗେ ମିଶି
ପ୍ରେମ ଆଲିଙ୍ଗନେ ବିଶ୍ୱଜନ ପ୍ରାଣେ
ଅନୁଭବି ପ୍ରାଣ ଯାଉ ରେ ହସି ।
ହସିଦେଲେ ତୁମେ ସୁନ୍ଦରୀ ଗୋ !
ଗାଲେ ଫୁଟି ଖେଳେ ବଙ୍କା ଦାଗ
ଭାଷିଲେ ପଦିଏ ଅଧର ତଳେ
ଉକୁଟି ଉଠଇ କି ଅନୁରାଗ ?
ମୁଁ ଯେବେ କହଇ ତୁମେଟି ମୋର
ଶତ ସପନର ଜୀବନଧନ
ଖାଲି ମିଛ ଖାଲି ଛଳନା ସହି !
ଏ ମୋର କଥାରେ ନ ଦିଅ ମନ ।
ସତ କଥା କହେ, ଚାହିଁଲେ ତୁମେ
ଚାହାଣି ତଳେ ମୁଁ ବିଜୁଳି ଦେଖେ
ଭ୍ରୂଲତା ଚଳନେ ଭୁଲେ ମୋ ମନ
ତାହାରି ତଳୁ ମୁଁ କବିତା ଲେଖେ ।
ଏଇ ଯେ କନକ କରକମଳ,
ମୃଦୁ ଚିକ୍କଣ ପୃଥୁଳ ବାହୁ
ବାହୁଲତା ବୋଲି ସୁନାମ ଯା’ର
ତୁମ ବିନୁ କହ ପାଇବି କାହୁଁ ?
ଚରଣ ଚାଳିଲେ ଏ ଭୂଇଁ ପରେ
ଭଙ୍ଗିମା କେତେ ଉଠଇ ଫୁଟି
ମରାଳ ତୁଲରେ ତୁଳଇ କିଏ,
ଉପମା ଦିଏ କେ ସିଂହ-କଟୀ !
ନବୀନ ଆଷାଢ କଳା ବଳାକା
ନିନ୍ଦା କରଇ ଏ କେଶଦାମ
ବେଣୀରେ ଖୋଷିଲେ କୁସୁମ କଳି
ଛନଛନ ହୁଏ ଏ ମୋର ପ୍ରାଣ ।
ଦୁଇଟି ତରୁଣ ଗୋଲାପ କଳି
ଅଧରଯୁଗଳେ ସତେ ବା ପୁଟେ
ହସି କଥା କହି ହସିଲେ ତୁମେ
ପରାଣ-ସାଗରେ ଜୁଆର ଉଠେ ।
ମଫସଲ ଗାଆଁ ବଙ୍କା ପଥ
ସମ ଏ ତୁମର ଭୂରୁଯୁଗଳ
ସେ ପଥେ ଚଳି ଚିତ୍ତ ମୋର
ନୀରବ ବଚନେ ଯୋଡ଼ଇ କର ।
ସହି, ତୁମ ଏଇ ଅଙ୍ଗତଳେ
ଏ ଯେଉଁ ରୂପର ଅନଳ ଜଳେ
ତାକୁ ସିନା ମୁହିଁ ପାଉଚି ସୁଖ
ତାକୁ ସିନା ପୂଜେ ହୃଦୟତଳେ ।
ଲିଭିଗଲେ ଏଇ ରୂପର ଆଭା
ଶୁଖିଗଲେ ଏଇ ଶୋଭାର ନଈ
ଭଲକରି ଥରେ ବୁଝ ଗୋ ସହି,
ତୁମରି ପୂଜାରୀ ହେବି କି ନାଇଁ ?
ମାଗି ତ ନଥିଲି ପାଶେ ଦିନେ ଦିଅ ବୋଲି
ଅଯାଚିତେ ଦେଲ ସିନା ହୃଦୟଟି ମେଲି
ଅଯାଚିତେ ଢାଳି ଥିଲ ଏ ନୟନପରେ
ତବ ସେ ନୟନଯୁଗ ସେନେହେ-ଆକୁଳେ ।
ମରମ ନୀରବ ବାଣୀ ମରମେ ମିଳାଇ
ଏ ଜୀବନ ଆଶା ଦେଉଥିଲ ମୁକୁଳାଇ ।
କେମନ୍ତେ କହିବି ସଖା କି ଆଶା-ଦୁଆରେ
ପୁଲକ ପଲକେ ଚାହୁଁଥିଲି ପଦତଳେ ।
ନ ଜାଣେ କା’ ଆଶେ ବସି ପଢିଲି ଅତୀତ
ଫିଟାଇଲି ଜୀବନର ଗୁପତ ଚରିତ ।
ମିଶାଇଲି ଯେତେ ଗାନ ସମୀରେ ଉଦାସେ
ତୁମ ଲାଗି ସିନା ସଖା ବିଜନ ପ୍ରବାସେ ।
ଆସିଲେ କମ୍ପନଟିଏ ଧମନୀରେ ନିତି
ସଭିଙ୍କ ସମ୍ମୁଖେ ଦିଏ ତୁମ ନାମ ଚିନ୍ତି ।
ନିଶୀଥେ ପଢଇ ତବ ନାମ ତୁନି ତୁନି
କେତେ ନୀରବରେ ତୋଳି ସଙ୍ଗୀତ-ଉଜାଣି ।
ବରଷା, ବସନ୍ତ, ଶୀତ ମଣିଲି ମୁଁ ଏକା
ସେ କୋଳେ ମେଲିଲି ମୋର ଜୀବନ ଦାୟିକା ।
ସେ ଗଗନେ ଚାହିଁଥିଲି ଏ ନୟନ ଢାଳି
ତବ ସ୍ନେହଭରା-ବାଣୀ ମରମେ ଉଚ୍ଚାରି ।
ସେ ତପନ ହାସେ ବୁଲିଲି ହେ ବିଲ ବନେ
କେତେ ସରାଗରେ ହସି ପୁଲକ-ମଉନେ ।
ସେ ସମୀରେ ସେ ସଲିଳେ ସପନ ବିଳାସେ
ତବ ଛବି ହସି ନିତି ଜୀବନ ପରଶେ ।
ଚପଳ-କିଶୋର କାଳ ନ ଥିଲା ସେ ମନ
ସେ କାହାଣୀ, ସେ ଚାହାଣି, ସେ ସରୁ ବଚନ
କି ଜ୍ୟୋତିଭରା ସେ ନେତ୍ରେ ଚାହିଁଥିଲ ବାରେ
ବୁଝିବାକୁ ତର ଆହା ! ନ ଥିଲା ଅନ୍ତରେ ।
ଫେଇଦେଲ ଅଯାଚିତେ ହୃଦୟ ଉଦାସେ
ମଣିଲି ଏ ସୁଖ ସିନା ବିଭୁ ଶୁଭାଶୀଷେ ।
କମଳ କୋମଳ କରେ ପରଶି ମୋ ବୁକୁ
ପୋଛିଦେଲ ଲୁହଧାରା ଏ ଶ୍ରାନ୍ତ ପଲକୁ ।
କିଏ ଜାଣିଥିଲା ତବ ହୃଦୟ-ପିପାସା
ସାରା ଜୀବନଟା ଅହୋ ! ହଳାହଳମିଶା ।
ଦେଖେ ନୟନରେ ଆଜି କୁଟୀଳ ଚାହାଣି
କେତେ କପଟରେ ଭାସିଯାଏ ମୁଖେ ବାଣୀ ।
ସେ କର ପରଶ ଆଜି ଖଡ଼ଗ କଠୋର
ଥରିଯାଏ ବୁକୁସାରା ନେତ୍ରୁଁ ବହେ ନୀର ।
ବୁଝି ତ ନ ପାରେ ତବ ଜୀବନ ବାସନା
ଅଯାଚିତ ଧନେ ପୁଣି ଏତେ କଳପନା ?
ପଥିକ ହେ,
ଅସୀମର ଯାତ୍ରୀ
ଗରଜେ ସମ୍ମୁଖେ ତବ ଏ ଭୀଷଣ ରାତ୍ରି ।
ବାଜେ ଦିଶେ ଦିଶେ
ଶ୍ରାବଣୀ ଆକାଶେ
ବେଦନା, ଯାତନା, ବ୍ୟଥା ବିଶ୍ୱ ଜୀବନର
ବିଶ୍ୱକୁଞ୍ଜବନେ ବଂଶୀ ବାଜେ ଦ୍ୱାପରର ?
ଚାଲିଯାଅ, ଯାଅ ଚାଲି
ଯମୁନା ଉଠିଛି ଫୁଲି
କୂଳ ଆଲିଙ୍ଗନେ ନାଚେ ଉନ୍ମତ୍ତ ତରଙ୍ଗ
ଜୀବନରେ ନାଚ ନାଚ-ଚିର ଅନ୍ତରଙ୍ଗ;
ଗାଅ ଗାଅ
ସୁପ୍ତ-ବ୍ୟଥା
-ହାହାକାର, ହାହାକାର, ଚିର ହାହାକାର
ଗର୍ଜିଉଠେ ଜଗତର ନିବଦ୍ଧ-ଝଙ୍କାର
ବିପୁଳ, ସୁନ୍ଦର
ବିଶ୍ୱକୁଞ୍ଜବନେ ବଂଶୀ ବାଜେ ଦ୍ୱାପରର ?
ଫେରନାହିଁ, ଯାଅ ଚାଲି ଯାତ୍ରୀ
ଏ ଭୀଷଣ ଏ ଶ୍ରାବଣ ରାତ୍ରି
ବଜ୍ର ଆସେ, ଆସେ ରେ ପାଗଲ,
ଶ୍ମଶାନର ରୁଦ୍ର କୋଳାହଳ
ଭୋଳାନାଥ ଗାନେ, ପ୍ରାଣେ
ବିଦ୍ୟୁତ୍ର ହାସ ହାଣେ ।
ଉଠେ କିଏ
ଯୁଗ-ଯୁଗାନ୍ତର ଶ୍ୱାସ ?
ଚାଲ ରେ ପଥିକ,
ଭାଙ୍ଗି ଅବରୁଦ୍ଧ-କାରା, ଦ୍ୟୁଲୋକ, ଲୋକ ।
ଆଜି,
ପ୍ରଳୟ ଜଳଦପୁଞ୍ଜେ
-ବିଶ୍ୱବନେ ବ୍ରଜ କୁଞ୍ଜେ
ରୁଦ୍ଧ, ଅନ୍ଧ ଅର୍ଦ୍ଧରାତ୍ରେ ଆସିଛି ଆହ୍ୱାନ
ରକ୍ଷାକର ଯାତ୍ରୀ ଆମନ୍ତ୍ରଣ ।
ଏ ଯୌବନ ପ୍ରାଣେ ଶିଳା କର ପ୍ରାଣମୟ
ନୋହୁ କ୍ଷୀଣ-ପ୍ରାଣ, ଅସହାୟ,
ଚାଲ ଯାତ୍ରୀ, ଚାଲ ଯାତ୍ରୀ
ବ୍ୟାକୁଳ ଗଭୀର ରାତ୍ରି
ନାହିଁ ପଥ
ନାହିଁ ରାହା
ଏକାକୀ, ନାହିଁ କେ ସାହା;
ଉତ୍ତରଳ ଅଗ୍ନିଶିଖା ଆଗେ ଆଗେ ଜଳେ
ପୋଡ଼ି ପାପ ଅତ୍ୟାଚାରେ ।
ଚାଲ ଯାତ୍ରୀ, ଚାଲ ଯାତ୍ରୀ
ଅନନ୍ତ ଉଦାର ରାତ୍ରି
କେତେ ଦୂର ସେ ଯେ ତୋର ଦିଗ୍ହୀନ ଲକ୍ଷ୍ୟ
ଅଲକ୍ଷ୍ୟର ତପ୍ତଶ୍ୱାସେ ପୂରିଉଠୁ ବକ୍ଷ
ଜଳୁ ରେ ଅନଳ
ତଡ଼ିତ୍ଚଞ୍ଚଳ
ଚାଲ ଚାଲ ଚାଲ ।
[ରଚନାକାଳ-୧୯୪୪]
ଜାଗିଛି ନୀରବେ ସୁପ୍ତ-ଧରଣୀ
ସୌର-କନକ-କିରଣ-ଜାଳେ
କୁଞ୍ଜ-କାନନ ପୁଷ୍ପ-ବିତାନେ
ଗୁଞ୍ଜେ ମିଳିନ୍ଦ ମୋହନ ତାଳେ
ବାଜୁଛି ବାଜଣା ଶୁଭୁଛି ଗାନ
ମୁଖରି ଅମ୍ୱର ଆକୁଳ-ପ୍ରାଣ
ଲାଗିଛି ବ୍ୟାକୁଳ-କର୍ମ-ସାଧନ
ଦୃପ୍ତ-ବଇରୀ-ଖଡ଼ଗଧାରେ ।
ଶୂନ୍ୟ ଆଜି ରେ ଦୁର୍ଗ-ଅଙ୍ଗନ
ବୀର୍ଯ୍ୟ-ବିକ୍ରମ ସାହାସଭରା
ବୈରୀତାଡ଼ନେ ବ୍ୟସ୍ତ ହୃଦୟ
ପ୍ଲାବିଚି ଧରଣୀ ରୁଧିରଧାରା
ବୁଡ଼ିଛି ବାସନା-ବିଷାଦ ନୀରେ
ଭଗ୍ନ-ଦୁର୍ବଳ ଓଡ଼ିଆ ବୀରେ
ଭଗ୍ନ ଆଜି ରେ ଓଡ଼ିଆ ପ୍ରାଣ
ଶୂନ୍ୟ ଆଭାସେ ଜଗତସାରା ।
ଢାଳିଛନ୍ତି ପ୍ରାଣ-ତପ୍ତ-ଶୋଣିତ
ରଣେ ନରପତି ନୀରବ ହାସେ
ଢାଳିଛନ୍ତି ଯେତେ କର୍ମ-ପିପାସା
ଅନ୍ତିମ ଶୟନେ କରୁଣ ଭାଷେ
ଦେଇଛି ଓଡ଼ିଆ ହୃଦୟ-ବଳି
ମରତ ସମ୍ପଦ ଜୀବନ-ଶିରୀ
ଜନନୀ ଚରଣେ କରିଛି ଅଳି ସେ
ବଇରୀ-ଶୋଣିତ-ଲେପିତ-ବେଶେ ।
କାଳ-କୋଳେ ବୀରେ ଗଲେଣି ଚଳି ରେ
ଅବଗାହି ଏବେ ରୁଧିର ନଦେ
କମ୍ପାଇ ଶାଣିତ ଖଡ଼ଗ ପୁଲକେ
ଅତୀତ-କନକ-ସମ୍ପଦ-ମୁଦେ ।
ନାଶିବେ ବଇରୀ ଲଙ୍ଘି ପ୍ରାଚୀର
ଧ୍ୱଂସିବେ ଅବଳା ଶୂନ୍ୟ ଅନ୍ତର
ଘୃଣ୍ୟ ପିଶାଚ କରିବ ଲୀଳା
ଓଡ଼ିଆ ଦୁର୍ଗେ କପଟ ଛନ୍ଦେ ।
ଶୂନ୍ୟ ଆଜି କି ଦୁର୍ଗ ଅଙ୍ଗନ
ନାହିଁ ନାହିଁ ସେ ତ ରହିଛି ପୂରି
ଅତୁଳ ସାହସ ଭୀମ ବିକ୍ରମ
ପୁଣ୍ୟ ବାସନା ଅନ୍ତରେ ଭରି
ଦେଖ ଦେଖ ଦୂରେ ପୁଲକ ଚକ୍ଷେ
ବାନ୍ଧି ସାହାସ ପାଷାଣ-ବକ୍ଷେ
ଦେଖ ରେ ଆସୁଛି ବୈରୀ-ବିଜୟ
ଉତ୍କଳ ବାଳା ଖଡ଼ଗ ଧରି ।
ସ୍ୱର୍ଣ୍ଣ-କମଳ ଲୋଟୁଛି ଚରଣେ
ପୁଲକ-ସମ୍ପଦ ଆନନେ ଖେଳେ
ବୀର ଅଙ୍ଗନା ସଙ୍ଗିନୀ-ମେଳେ
ଝଟକେ ଶାଣିତ-ଅସି ଉଜ୍ଜ୍ୱଳେ
ଚାହିଁଛି ବଇରୀ ଚକିତ-ନେତ୍ରେ
ଚାହିଁଛନ୍ତି ରବି ମୋହନ-ମନ୍ତ୍ରେ
ତୋଳି ଭୂଧର ଉନ୍ନତ-ଶିର
ନିରେଖେ ଅବଳା ପାଦପମେଳେ ।
ଫୁଟିଲା ପରାଣେ ବୀର-ସଙ୍ଗୀତ
‘‘ବନ୍ଦେ ଜନନୀ ଜନମ-ଭୂମି
ସୁପ୍ତ ପରାଣେ ଦେ ମା’ ଶକ୍ତି,
ଢାଳି ଦେ ମରମେ ମୋହନ ବାଣୀ’’
ଗଡ଼ିଲା ଅୟୁତ-ଅରାତି-ମୁଣ୍ଡ
କମ୍ପିଲା ଧରଣୀ, ଗଗନ ଦାଣ୍ଡ
ଅରାତି ରକ୍ତ ତରପିଲେ ହସି
ପ୍ରାଣ-ପତି ନାମେ ମର୍ତ୍ତ୍ୟ-ମୋହିନୀ ।
ଜଳଇ ଅନଳ ଊର୍ଦ୍ଧ୍ୱ ଲେହନେ
କରାଳ-ବିକାଶେ ପରାଣ ଥରେ
ଥରହର ଆଜି ଧରଣୀ-ଉରସ
ପଶିବେ ଅବଳା ଅନଳ-ପୁରେ
ଗୁରୁ ଗରଜନ ଉଠିଲା ଗାନ
ଫୁଟିଲା ମହିମା ନାଚିଲା ପ୍ରାଣ
ସରଳ ଚରଣ ଅଭିସାରେ ବାମା
ଢାଳିଲେ ଜୀବନ ମାତୃ ମହୀରେ ।
ଧନ୍ୟ ହୋଇଛି ଓଡ଼ିଆ-ପ୍ରାଣ
ଅମର ସଙ୍ଗୀତ ଉଠିଲା ଚାଣ୍ଡେ
କନକ-ଅକ୍ଷର ଅମର-ନାମ
ଲେଖାହେଲା କି ରେ ଭାରତପିଣ୍ଡେ
ଉଡ଼ିଲା ପୁଲକେ ବୈଜୟନ୍ତୀ
ଫୁଟିଲା ଜୀବନେ ‘ଜନନୀ-ପ୍ରୀତି’
ଗୁରୁ-ଗୁରଜନେ ଗାଇଲା ଜଳଦ
‘ଓଡ଼ିଆଣୀ’ ନାମ ଗଗନ ଦାଣ୍ଡେ
[ରଚନାକାଳ-୧୯୨୦]
ଆଜି ତ ପଡୁଛି ମନେ-
ଧରଣୀ ସୀମାରେ ଗଗନ କାଳିମା
ମିଳାଇଲା ଯେବେ ରାତି
ପୁରାଙ୍ଗନାର କରତଳ ପରେ ଜଳିଲା ପ୍ରଥମ ବତି
ନଭଚାରୀ ଶେଷ ବିହଗ ରାଗଣୀ
ଢାଳିଲା ବିରହ ବାଣୀ
ଏତେବେଳେ କା’ର ବନ୍ଦିନୀ ବଧୂ
ଧଇଲା ଯୁଗଳ ପାଣି !
ଅଧରେ ଭାଷିଲା ବଚନ ତାହାର,
ବଢାଇ ଅଧର ଧୀରେ
ମୁଗ୍ଧ ଏ କବି ଘେରିଲା ତାହାର,
କୁସୁମ ସୁରଭି ଶିରେ ।
ସାଗର ଭାଷଇ କଳ-କଲ୍ଲୋଳେ,
ସମୀରଣ ସନସନେ,
ଏ ମୋର ଅଧର ଭାଷିଲା ଯେ ବାଣୀ
ଆଜି ତ ପଡୁଛି ମନେ ।
ଅଧରତଳ ମଧୁରେ ମୋର କାମନା ଜାଗେ ଗୋ,
ତାହାରି ଚଳ-ଚରଣଗତି ଏ ବୁକେ ଲାଗେ ଗୋ !
ମୁଦିତ ତାର ଲୋଚନଗାର ମରମେ ପୀଡ଼େ ଗୋ ,
କୋମଳ ତାର ସେ କରତଳ କାମିନୀ ଗଡ଼େ ଗୋ !
ତାର କନକ ଆଙ୍ଗୁଳିର ପରଖ ଝୁରେ ଗୋ,
କଣ୍ଠବାଣୀ ମନ୍ଦାକିନୀ କାହିଁ ସେ ଦୂରେ ଗୋ ?
ତାର ବିଗ୍ରହ ବିଧୂର ବ୍ୟଥା ଅଧୀର କରେ ଗୋ;
ତା ତନୁ ତାପ ପୁଲକ ଆଣେ ଏ ତନୁ ତଳେ ଗୋ !
ତାହାର ତନୁ-ତୀର୍ଥେ ମୋର ବାରୁଣୀ-ବୁଡ଼ ଗୋ,
ତିା ରୂପ ସମ ବିଶ୍ୱେ ନାହିଁ କରିବି ମୂଲ ଗୋ !
ସପନ ସମ ଲପନ କା’ର
ପଡ଼ଇ ମନେ
ଜୀବନ-ତୀରେ ପକାଇ ଗାର
ଚଳ-ଚରଣେ
କାହିଁ ସେ ଗଲା, ରହିଚି ତାର
ଗନ୍ଧବାସ,
ରହିଚି ତାର ବିଦାୟ କାଳ
ଅଧର ହାସ !
ସେହି ଯେ ଗଲା ଏକଇ ଦୀପ
ଜୀବନେ ଜାଳି;
ସେହି କ୍ଷଣିକ ଉତ୍ସବରେ
ନଚାଇ ତାଳି;
ବଜାଇ ଗଲା କଣ୍ଠେ ତାର
ମରମ ରୀତି;
ସେହି ସପନ ଜାଗଇ ମନେ
ଦିବସ-ରାତି ।
ଆଉ କି ଥରେ ପଡ଼ିବ ନାଇଁ
ସେହି ଚରଣ;
ଯୌବନର ରମ୍ୟ ତୀରେ
ବଧୂ-ବରଣ;
ହେବ କି ନାହିଁ ! ସୁନ୍ଦରି ଗୋ,
ଏଇ ଜୀବନେ
ଏ ସାରା ପଥ କାଟିବି ଖାଲି
ତୁମରି ବିନେ ।
ମରଣ ମୋର ମର୍ମ୍ମରିବ
ତୁମରି ବାଣୀ;
ଧର୍ମ ମୋର ତୁମରି ରୂପ
ଲୋକନ, ରାଣି !
କର୍ମ ମୋର ସେ ଅପଘନେ
ଅବଗାହନ
ବଞ୍ଚିବି ମୁଁ ସହି, କେସନେ
ରଜନୀ ଦିନ !
ଲୋକଲୋଚନ ଅନ୍ତରାଳେ
ହୋଇଲା ଦେଖା;
ନୀରବେ ଖାଲି ରୁଗ୍ବେଦ ସେ
ହୋଇଲା ଲେଖା !
କେବେ ଯେ ପୁଣି କେଉଁ ଜନମେ
ସୁନ୍ଦରି ଗୋ;
ତୁମରି ତୀରେ ଲାଗିବ ମୋର
ଏଇ ତରୀ ଗୋ !
ପ୍ରଶାନ୍ତ ପ୍ରାନ୍ତର ପଥେ ବଲ୍ଲରୀ ବିତାନୁ
ଭାସିଆସ ସ୍ନିଗ୍ଧ ସମୀରଣ
ଭାସିଆସ ହୃଦକ୍ଷେତ୍ରେ ମଧୁର କମ୍ପନେ
ବାସନ୍ତିକ ମୋହନ ନିସ୍ୱନ !
ଅନନ୍ତ ଉଦାସେ ବସି ନିର୍ଜ୍ଜନତା କୋଳେ
ଦିଗ୍ବଧୂର ରମ୍ୟ ଶ୍ୟାମାବାସେ
ଆର୍ଷ-ବିପଞ୍ଚିନୀ ସେହି ପରାଣ ପ୍ରସାରେ
ବଜାଅ କେ ପୁଲକ ବିଳାସେ ?
ଉଠାଅ କେ ହୃଦୟର ନିଗୂଢ କନ୍ଦରୁ
ଏ ନୀରବ ପ୍ରଶାନ୍ତ ଗୀତିକା ?
ସ୍ତବ୍ଧ, ଶୂନ୍ୟ, ସାରା ସ୍ତବ୍ଧ ଅବନୀ ଉରସ
ଦେଖେ ଆଜି ପୂର୍ଣ୍ଣ ବିଭୀଷିକା ।
ଉଚ୍ଛ୍ୱାସେ ଉଚ୍ଛ୍ୱାସ ଏ ଯେ ଭବେ ଏକାକାର
ଭୁଲେ ଭାବ ପଥ ଏ ସମ୍ପଦେ
ହରାଏ ସ୍ୱାତନ୍ତ୍ର୍ୟ ଆଜି ଚିନ୍ତା ଆପଣାର
ଭ୍ରମେ ଭ୍ରମେ କଳ୍ପନା ଏ ପଦେ ।
ପଲକୁ ପଲକେ ଶୂନ୍ୟ ଏ ପୂର୍ଣ୍ଣପ୍ରାଣତା
ଖେଳେ ବିଶ୍ୱ-ଅନନ୍ତ-ବିତାନେ
ଭବିଷ୍ୟ ବିଭବ ଘେନି ମଳୟ କମ୍ପନେ
ଆକାଙ୍କ୍ଷାର ସ୍ୱର୍ଣ୍ଣ-ନିମନ୍ତ୍ରଣେ ।
ଲୁପ୍ତ ଆଜି ଘନଘଟା, ସୁପ୍ତ ସୌଦାମିନୀ
ଭିନ୍ନ ହୈମନ୍ତିକ-ଲୋଳ-ତୁଷାରପଟଳ
ଅନନ୍ତ ବିସ୍ତାରେ ଶୂନ୍ୟ, ବିପୁଳ ଅବନୀ
ଝଳେ ଲଭି ଆଶୀର୍ବାଦ କା’ର ।
ବହିଆସ ସମୀରଣ ସେ ଅନନ୍ତ ପାରୁ
ଲଙ୍ଘି ଶ୍ୟାମ ବିଚୀଳ-ଭୂଧର
ଢାଳ ରବି ସେ ଅନନ୍ତ-ନଭସ-ବିତାନୁ
ଶୂନ୍ୟ ପଥେ ତପ୍ତ-କରଜାଳ ।
ବସନ୍ତ ହେ ! ମଧୁମୟ ନିତ୍ୟ ମନୋହର
ରଚ କ୍ରୀଡ଼ା ପରାଣ ଆବେଗେ
ଢାଳ ଢାଳ ସୁମଧୁର ସଙ୍ଗୀତ ଲହରୀ
ପିକକୁଳ ସୁର-ମୁଗ୍ଧ ରାଗେ ।
ଶୁଣ ରେ ହୃଦୟ ଆଜି ଭାଙ୍ଗି ମୋହ ବାଡ଼
ଦେଖ ବାରେ ଅମୃତ-ନୟନେ
ଦିବିଷଦ-ସ୍ୱର୍ଣ୍ଣସଭା ଅମୃତ-ବୈଭବ
କର୍ମକ୍ଷେତ୍ରେ ବିପୁଳ ଧିଆନେ ।
ଶୀତ ଶୀର୍ଣ୍ଣ ଧରଣୀର ଜରା-ଜୀର୍ଣ୍ଣ-ବେଶ
ଅପଗତ ମଳୟ-ଲାଞ୍ଛନେ
ଉପଗତ ସଜୀବତା ଆଶାମୟୀ ମୂର୍ତ୍ତି
ପାଶେ ଆଜି ଲଳିତ କମ୍ପନେ ।
ଦୂରେ ଯାଏ ଧୀରେ ବହି ଜ୍ୟୋତିଧାରା ଏ ଯେ
ମିଶେ କାହିଁ କେଉଁ ସିନ୍ଧୁ-ଅଙ୍କେ
କାହିଁ ଦୂରେ ଡାକେ କିଏ ସେ ସିନ୍ଧୁ ପୁଳିନେ
କାହା ଆଶେ ପରାଣ-ପୁଲକେ ।
ଆସ ଆସ ପଥିକ ହେ ଫେରି ଏ ସଂପଦେ
ପଥମୟ ପ୍ରାନ୍ତର ଉରସେ
ଫିଟାଇ ହୃଦୟ-ଦ୍ୱାର ଭର ଦିବ୍ୟ ମୁଦେ
ଏ ରୁଚିର ଲୀଳା କର୍ମ-ରସେ ।
ଭୁଲିଅଛ ପଥ ଆହେ ବିଜନ ଅତିଥି
ଜୀବନର ଲକ୍ଷ୍ୟ ଦେଇ କାଟି
ନିରାଶା-ସରିତ କୂଳୁ ସେ ସିନ୍ଧୁ ଉରସେ
କାହିଁ ଯିବ ଆକୁଳେ ଏକାଟି ?
ଫେରି, ଦେଖ ହୃଦୟର ସ୍ୱର୍ଣ୍ଣ ଭବିଷ୍ୟତ
ଫିଙ୍ଗି ଶୀର୍ଣ୍ଣ ନାବ ସେ ପୁଳିନେ
ଫେରି ପଢ ଜୀବନର ଅତୀତ ଚରିତ
ଯାଅ ଆଜି ବର୍ତ୍ତମାନ ଗାନେ ।
[ରଚନାକାଳ-୧୯୨୦]