ବସି ନଦୀ ତୀରେ ନିର୍ଜ୍ଜନତମ ଥାନେ
ଡାକିଲି କବିତା ଆସ ଗୋ ଆସ ଗୋ ଆସ
ଦେଇଚି ବଚନ ରଖିବି ଆପଣା ମନେ
ଛାପା ଅକ୍ଷରେ ହେବ ତୁମେ ପରକାଶ ।
ମୃଦୁ ମର୍ମର ପଳିତ ପତର ତଳେ
କଥା କେ କହିଲା, ବହିଗଲା ସମୀରଣ
ଶତ ତରଙ୍ଗ ଉଠିଲା ତଟିନୀ ଜଳେ
ପୌଷ ଗଗନ ଚପଳ ରଙ୍ଗ ସମ ।
ଡାକିଲି କବିତା ଆସ ଗୋ ଆସ ଗୋ ଆସ
ସ୍ପର୍ଦ୍ଧିତ ଏଇ ଛବିଳ ସନ୍ଧ୍ୟାବେଳେ
ଲେଖିନି ଥିସିସ୍, ଜାଣିନି ମୁଁ ଅନୁପ୍ରାସ
ତୁମକୁ ଡାକି ମୁଁ ତୁମ ଅର୍ଚ୍ଚନା କରେ ।
ସବୁଜ ଲୁଚିଲା, ଲୁଚିଲା ଲୋହିତ ରାଗ
ଘନ ଅନ୍ଧାର ଭିତରେ ହସିଲା ତରା
ସବୁ ଲୁଚିଗଲା, ମଉଳିଲା ଯତି, ରାଗ
ହେଲା ଏକାକାର ଏଇ ସସାଗରା ଧରା ।
ବସି ନଦୀତୀରେ ଡାକିଲି କବିତା ଆସ
କବିମାନସର ଦିବ୍ୟ କନକ ତରୀ
କାହିଁ ଦିଗନ୍ତ ? ଶୂନ୍ୟର ପରିହାସ
କାଗଜ-କଲମେ ନ ପାରିଲି ତାକୁ ଧରି ।
ମନ ଅଗୋଚର ସେ ଦୂର ତାରକାଦେଶେ
ଖୋଜିବାକୁ ହେବ ନବ ଦିଗନ୍ତ ଯାଇ
ସ୍ପୁଟନିକ୍ସମ ମୃତ୍ୟୁବିଜୟୀ ବେଶେ,
କ୍ଷୁଦ୍ର ଏ ଧରା ମଣିଷକୁ ପାଏ ନାଇଁ ।
ଏଇ ନଦୀତୀର ଫେନିଳ ସାଗରବେଳା
ଏଇ ଧରଣୀର ବରଷା, ଶରତ୍, ଶୀତ
ଏ ପାଖ କୁସୁମ ସବୁ ପୁରାତନ ହେଲା
ଖୋଜିବାକୁ ହେବ ସେ ପାଖ ଅପରିଚିତ ।
ଦେବଦାରୁ ତଳ ଅନ୍ଧ କୋଟର ଛାଡ଼ି
ପେଚକ ଶିଶୁଏ ଉଡ଼ିଗଲେ କାହିଁ ଦୂରେ
ରବି, ଗ୍ରହ, ତାରା ନବ ଦିଗନ୍ତ ଧରି
ଖୋଜିବାକୁ ହେବ କବିତା ସୁଦୂର ପୁରେ ।
[ଜାନୁଆରୀ-୧୯୬୨]
କବିତା ଆଜି କିମିତି ବସି ଲେଖେ
ବନ୍ଧୁ, ତୁମେ ଦେଇଚା ସିନା ଚିଠି
କବିତା ପାଇଁ କିଛି ତ ନାହିଁ ଦେଖେ,
ଗଦ୍ୟ ଖାଲି ଭିତରୁ ଆସେ ଉଠି ।
କହିବ ଯେବେ ପଠାଇଦେବି ଏକ
ଗଳ୍ପ ଅବା ପ୍ରବନ୍ଧର ନାମେ
ଅଥବା ତୁମେ ଏଠାକୁ ଆସି ଦେଖ-
ଦିବସ ନିଶି ମରୁଚି ବସି କାମେ ।
ଗୃହିଣୀ କହେ- ସଉଦା ନାଇଁ ଘରେ,
କହୁଚି କୁନି- ଜାମାଟା ଗଲା ଚିରି,
ଦୋକାନୀ ଆସି ଦୁଆରେ ଜିଦ୍ ଧରେ-
ଯିବିନି ଆଜି ବାକିଟା ଛାଡ଼ିକରି ।
ସେ ଗଳିପଟେ ବନ୍ଧୁ ଯଦୁନାଥ-
ଭାବିଲି ଯାଇ ଆଣିବି କିଛି ଧାର,
କାମିଜି ଦେଖେ ନାଇଁ ତ ଗୋଟେ ହାତ
ସାରିଦେଇଚି ଆୟୁଷ ଧୋବା ତାର ।
ବିଗିଡ଼ି ମନେ ‘ବଦମାସଟା’ କହି
ନ ଟେକୁ ମଥା ଫାଟକ ପାଖେ ଶୁଣେ-
ଏଇ କି ବାବୁ ସଉଦା ଦେଇ ଦେଇ
ବଦମାସ ମୁଁ, ହୋଇଲ ସାଧୁ ତୁମେ ?
କାମୁଡ଼ି ଜିଭ, ଯୋଡ଼ି ଯୁଗଳ ହାତ-
‘ତୁମକୁ ନୁହେଁ’...ନ ସରୁ ମୁଖୁ ବାଣୀ
ପଛରୁ ଶୁଭେ – ‘କିମିତି ହେବ ଭାତ
ନାଇଁ ଯେ କାଠ’, କହେ କୁଟୀର-ରାଣୀ ।
ବାଜିଲା ଦଶ, ଜାଗିଲା ବୁକେ ମୋର
ପ୍ରବଳ ଝଡ଼, ମନଟା ହେଲା ଛି, ଛି !
ଏହାକୁ ଯେବେ କବିତା ବୋଲି ଧର
ଛପାଇପାର ମନା ମୋ ନାହିଁ କିଛି ।
[ଅକ୍ଟୋବର-୧୯୫୮]
ସ୍ୱପ୍ନାୟିତ ବସୁନ୍ଧରା ମିଶେ ଯହିଁ ନୀଳାକାଶ ତଳେ
ବାରିହୁଏ ନାହିଁ ଆଜି ଦିଗ୍ବଳୟ ସୀମାରେଖା ଦୂରେ ।
ଉଡ଼ିଯାଏ ବିହଙ୍ଗମ ଥରେ ଥରେ ପକ୍ଷ ଚହଲାଇ
ଭ୍ରୂ-କୁଂଚିତ ଦୃଷ୍ଟି ମୋର ଅନୁସରି ଯାଇପାରେ ନାହିଁ ।
ତୁମେ କି ଭାବିଚ ବନ୍ଧୁ ! ଯା’ ଉଦ୍ଦେଶ୍ୟେ କରିବ ତର୍ପଣ
ଜାଣି କି ପାରିବ ସେହୁ ତୁମେ ତାର ପ୍ରାଣପ୍ରିୟ ଧନ ?
ସଂସ୍କୃତିର ପରାଜୟେ ଦୀପ ଏଥି ଆସେ ଲିଭି ଲିଭି
ସଂକୁଚିତ ହୋଇଆସେ ଧୀରେ ଧୀରେ ପୁରୁଣା ପୃଥିବୀ ।
ଅବଲୁପ୍ତ ସଂସ୍କୃତିର ସୀମା ଆଉ ପଡ଼େନାଇଁ ଜଣା
କୃତ୍ରିମ ଏ ପ୍ରଜନନ କରିଦିଏ ସବୁ ବାଟବଣା ।
ପିତୃ ପିତାମହ, ଗୋତ୍ର, ବଂଶ, ଶାଖା, ପ୍ରବର ଭାରତେ
ନେଉଚି ସମାଧି ପରା ଏ ଯୋଜନା ପ୍ରଗତିର ପଥେ ।
ଅପମୃତ୍ୟୁ,ଭ୍ରୁଣନାଶ, ଆତ୍ମହତ୍ୟା ଅର୍ଥ ନାହିଁ କିଛି
ପ୍ରଣୟିନୀ ପ୍ରେମ ଅଶ୍ରୁ ପର ପାଇଁ ହୋଇପଡ଼େ ବିଞ୍ଛି ।
ପିତୃତ୍ୱର ଗର୍ବ ଆଜି ମାତୃତ୍ୱର ଗର୍ଭାଧାନେ ନାହିଁ,
ସେ ହେବେ ଅଜ୍ଞାତ ପିତା ଦେଶ ଜାତି ସୀମାରେଖା ଡେଇଁ !
[ଜୁଲାଇ-୧୯୬୧]
ଶତାବ୍ଦୀର ସୁପ୍ତି ଭାଙ୍ଗି ଏତେବେଳେ ଜାଗ ଜାଗ ଜାଗ
ଇତିହାସ କୋଳୁ ତୁମେ ହେ ମୁମୂର୍ଷୁ ଦୁର୍ଗ ‘ଲାଲବାଗ’ !
ଓଡ଼ିଶାର ଶିଶୁ ଆଜି ତୁମ କୋଳୁ ଦେବେ କିବା ଡାକ
ଶ୍ରାନ୍ତକ୍ଳାନ୍ତ ବର୍ଷୀୟାନ ଅବରୁଦ୍ଧ ହେ ଦୁର୍ଗ ନିର୍ବାକ୍ ।
ନେଲ ଯେବେ ଜନ୍ମ ତୁମେ ସେ ଅନ୍ଧାରେ ଶତାବ୍ଦୀର ତଳେ
କି ତରଙ୍ଗ ଉଠୁଥିଲା ବିକ୍ଷୁବ୍ଧ ଏ ମହାନଦୀ ଜଳେ ?
ଅବଗାହୀ ସେ ତରଙ୍ଗେ କେତେ ମହାରଥୀ ପୁଣ୍ୟଶ୍ଳୋକ
ଲଢ଼ିଗଲେ ରଖିବାକୁ ଏ ବିରାଟ ଜାତିଟାର ଟେକ !
ପଶ୍ଚିମ ସମୁଦ୍ରତଟୁ ଛତ୍ରପତି ଧରି ଜୟବାନା
କହିଥିଲେ କି ଆବେଗେ-ଏ ଦେଶଟା ହେଲା ତାର ସିନା ।
ସୀମା ଯା’ର ଗୋଦାବରୀ ବ୍ୟାପିଥିଲା ଆଜାହ୍ନବୀତଟ !
କହ, ଥିଲା ଏ ରାଇଜ କି ମହାନ, କେଡ଼େ ଯେ ବିରାଟ !
ମୋଗଲ ବାଦଶା ଗଲେ, ଗଲେ, ପୁଣି ମରହଟ୍ଟା କାହିଁ
ଫିରିଙ୍ଗି ବେପାରୀ ଦଳ ଗଲେ ଲୁଚି, ସତ୍ତା କା’ର ନାହିଁ ।
ଆଜି କାଳଘୂର୍ଣ୍ଣିତଳେ ଭାଗ୍ୟର ଏ ପରିହାସଛଳେ
ତୁମେ କି ଯିବ ହେ ଲୁଚି ବିସ୍ମୃତିର ଘୋର ଅନ୍ତରାଳେ ?
ତୁମେ ତ ଦେଖିଚ ଦୁର୍ଗ ! ତୁମ କୋଳେ ରାଜ୍ୟପାଳଦଳ
ଉଠିଲେ ପଡ଼ିଲେ ପୁଣି, ତୁମେ ସାକ୍ଷୀ ତାର କାଳ କାଳ
ଯାଇଚି ସେ କାଳ ଆଜି, ଓଡ଼ିଶାର ସୀମା ସଙ୍କୁଚିତ
ତୁମକୁ ଛାଡୁଚି ଯିଏ, ବୋଲାଏ ସେ କେଡ଼େ ‘ଯଶୋବନ୍ତ’ !
ପାଷାଣ-ପିହିତ ତବ ପଞ୍ଜରାରୁ ଉଠୁ ଆଜି କଥା
ତାହାରି ଭିତରେ ଅଛି ଏ ଜାତିର ପୁଞ୍ଜୀଭୂତ ବ୍ୟଥା ।
ବୃଦ୍ଧ ଗଲେ ଅପସରି, ଶିଶୁ ଆଜି ସେ ପଞ୍ଜରା ତଳେ
ଡାକଦେବେ ନିର୍ଯାତିତ ବିଖଣ୍ଡିତ ସଂକୀର୍ଣ୍ଣ ଉତ୍କଳେ ।
ସେ ଡାକେ ଥରିବ ସତେ ଶତାବ୍ଦୀର ସମାଧି ଗହ୍ୱର
ଜାଗିବେ ଆବର ଏଠି ନିଦ୍ରିତ ସେ ଯେତେ ଜାତିସ୍ମର ।
ଲିଭାଇବେ ସତେ ଶିଖି-ମନାଇର ଯେତେ ଛୁରାଦାଗ
ସବୁଜ ଶିଶୁରେ ଧରି ଜାଗ ଦୁର୍ଗ, ଜାଗ ‘ଲାଲବାଗ’ ।
[ଅପ୍ରେଲ-୧୯୬୦]
ହେ ଶିଶୁ ! ହେ ନବାଗତ ! ଧରଣୀର ହେ ନବଜାତକ !
କା’ ପ୍ରାଣସଂଖାଳି ତୁମେ କାହାର ବା ବିଦଗ୍ଧ ଲୋତକ !
ହେ ଅଜ୍ଞାତ ! କା’ର କୋଳେ ଥିଲ ଜନ୍ମି ଲୋକ ଅଗୋଚରେ
ଶୋଇଲ ଏ ରାଜପଥେ, ନଥିଲେ କେ ଆଗେ ବା ପଛରେ !
କିଏ ସେହି ଅଭାଗିନୀ ନିହି ପ୍ରାଣେ ନିବିଡ଼ ମମତା;
ଧରି ଗର୍ଭେ ଦଶ ମାସ ଦେଲା ଛାଡ଼ି ଜାଳି ଆତ୍ମଚିତା ?
ଜୀବନର କି ମୁହୂର୍ତ୍ତେ ଭେଟି କା’ରେ ଶୁଭ ଅଭିସାରେ
ବାନ୍ଧିଥିଲା ପ୍ରୀତିଡୋରି, ଗଲା ଛିଡ଼ି ନିଠୁର ସଂସାରେ !
ଅତୀତର ଅନ୍ଧକାରେ ଦିନେ ଯହିଁ ‘କେଦାର-ଗଉରୀ’
ଏଇ ସେ ଏକାମ୍ର କୁଞ୍ଜେ ଏକୁ ଆନେ ଆପଣାର କରି
ଜୀବନ ଉଦ୍ଦାର ସ୍ରୋତ ରଚିଥିଲେ ପ୍ରଣୟ-ପ୍ରପାତ,
ସୀମାବଦ୍ଧ ସମାଜର ବିଧାନରେ କରି ପଦାଘାତ ।
ଆଜି ସେ ଏକାମ୍ରବନେ ଇତିହାସ ଗଲା କି ବଦଳି ?
ମଶାଣି ପାଲଟିଯାଏ ଅତୀତର ପୁଣ୍ୟ ପ୍ରେମସ୍ଥଳୀ ?
କେବେ ପରା ଜନ୍ମି କୃଷ୍ଣ ଅତୀତର ମଥୁରାମଣ୍ଡଳେ
ଘାତକ କଂସର ଡରେ ବଢ଼ିଥିଲେ ନନ୍ଦ-ଗୋପପୁରେ ?
ଜନ୍ମି ତୁମେ କି ଅନ୍ଧାରେ କାହା କୋଳେ ହେଉଛ ପାଳିତ
କିଏ ତବ ଜନ୍ମଦାତା ଜାଣିଲନି ଅବୋଧ ବାଳୁତ ।
ଏ ତବ ଧମନୀ ତଳେ ବହେ କା’ର ଶୋଣିତର ଧାରା
ସେ କଥା ନ ଯିବ ଜଣା, ପଡ଼ିବ କାହିଁ ସେ ତ ଧରା ।
ତୁମେ ତ ଜାଣିବ ନାହିଁ, ଜନ୍ମଦାତ୍ରୀ ଜନନୀ କିଏ ସେ
ତୁମକୁ ଛାଡ଼ିଲା ଯିଏ ପ୍ରାଣେ ରଖି, ନ ମାରିଲା ବିଷେ !
ନ ଦେବ କାହାରେ ପିଣ୍ଡ, ତିଳୋଦକ ଦେବନାହିଁ କା’ରେ,
ନ ପାଳିବ ମହାଳୟା, ନାହିଁ ଦୀପ ଦୀପଦାନ ବେଳେ ।
ହେ ଶିଶୁ ! ହେ ନବାଗତ ! ଧରଣୀର ହେ ନବଜାତକ !
ଝରେ ଶତନେତ୍ରୁ ଆଜି ତୁମ ଲାଗି କରୁଣା-ଲୋକତ ।
ହୁଅ ଦୀର୍ଘଜୀବୀ ଶିଶୁ ! ପଥପ୍ରାନ୍ତେ ତ୍ୟକ୍ତ ନବାଗତ
ତୁମରି ଆଗମେ ହେଉ ମିଥ୍ୟା ମାୟା ଛନ୍ଦ ପ୍ରତିହତ ।
[ଅଗଷ୍ଟ-୧୯୫୯]
ହେ ପୁରାତନ ବର୍ଷ ମୋର,
ବନ୍ଧୁ ଆଜି ଯାଉଚ ଚାଲି ?
ବିଦାୟ ଦିଏ ମୋ ସାଦା
କାଗଜ ବୁକେ କଲମ ଚାଳି,
ଯାଉଚ ଦୂରେ ଯାଉଚ କାହିଁ
ଆଉ ତ ଫେରି ପାରିବନାଇଁ
ରହିବ ଜାଣ ଏ ଇତିହାସେ
ଯାହାର କଥା, କୀର୍ତ୍ତିଗାଥା
କାହାକୁ ଆଉ କହିବୁ ଆମେ
ଏଇ ଜୀବନ ମର୍ମ୍ମବ୍ୟଥା ?
ମହାକାଳର ବୁଦ୍ବୁଦ ହେ
ତୁମରି ପଦଚିହ୍ନ ତଳେ
ପ୍ରାଚୀନ ଏଇ ଉତ୍କଳର
ନିର୍ଯାତିତ ଯାତ୍ରୀ ଚଳେ,
ଯାତ୍ରୀ ଚଳେ, ଯାତ୍ରୀ ଘଳେ
ସ୍ୱର୍ଗେ ଅବା ନର୍କପୁରେ
ଲକ୍ଷ୍ୟହୀନ ଭିକ୍ଷାଶୀ ଏ
ଭିକ୍ଷା ମାଗେ କାହାରେ ଚାହିଁ
ଶବ୍ଦ ଆସେ ଚତୁର୍ଦ୍ଦିଗୁ – ନାହିଁରେ ନାହିଁ,
ନାହିଁରେ ନାହିଁ !
ଅନ୍ନ ଯାଏ, ଜିହ୍ୱା କଟେ,
‘ଟିଅର୍ ଗ୍ୟାସେ’ କଣ୍ଠରୋଧ
ଦେଖିଚ ତୁମେ ଏଇଠି ନାଇଁ
ଏଇ ନେତାର ଆତ୍ମବୋଧ !
ଯାଉଚ ଯେଉଁ ଅନ୍ତରାଳେ
ଏ ମହାକାଳ ଗର୍ଭତଳେ
ବନ୍ଧୁ ତୁମେ ସଙ୍ଗେ ଧରି
ଯାଉନ କିଆଁ ଶେଷରେ ଆଜ
ଉତ୍କଳରେ ’ଛନ୍ତି ଯେତେ
ଭ୍ରଷ୍ଟାଚାରୀ ଧପ୍ପାବାଜ !
ସେଦିନ ସେହି ବନ୍ୟାକାଳେ
ଫାଇଦା ପାଇ ବଞ୍ଚିଲେ ଯେ
ବାତ୍ୟା ଆଉ ମରୁଡ଼ି ନାମେ
ଲକ୍ଷ ଶତ ସଞ୍ଜିଲେ ଯେ
ମୁକ୍ତ କର, ମୁକ୍ତ କର
ସେଇ ଦଳକୁ ଭୁକ୍ତ କର
ତୁମର ଏଇ ବିଦାୟବେଳେ
ଗସ୍ତ ଶେଷେ ଅସ୍ତାଚଳେ
ହେ ଅଣଷଠି ! ହେ ପୁରାତନ !
ଏଇ ଜାତିଟା ବୁଡ଼ିବାବେଳେ !
[ଡିସେମ୍ବର-୧୯୫୯]
ଦିନ ମାସ ବର୍ଷ ଧରି ନେଇଛ କି ଠିକା
ଏଇ ମୋର କାନ୍ଥଟାକୁ, ଆଗୋ ମାଳବିକା ?
ବୁଝିପାରେନାଇଁ ତୁମେ କେଉଁ ଅତୀତରେ
ସିପ୍ରା ନଦୀତୀରେ ସେଇ ଉଜ୍ଜୟିନୀ ତଳେ
ରକ୍ତ ମାଂସ ଦେହ ଧରି ଥିଲ ଅବତରି
ମୁଁ ଥିଲି ସେ ନଗ୍ରପ୍ରାନ୍ତେ ଦୀନଜନ ପରି ।
ଅଙ୍ଗ ପଖାଳିବା ପାଇଁ ଯାଉ ପଥେ ଚାଲି ।
ଦୂରୁ ହେରି ବସୁଥିଲି ତୁମ କଥା ଭାଳି ।
ଅବା ତୁମେ ତୋଳିସାରି ଉପବନୁ ଫୁଲ
ଫେରୁଥିଲାବେଳେ ଦେବୀ, କରୁଥିଲି ମୂଲ ।
ମାଳା ଗୁନ୍ଥି କାହା ଗଳେ ଦେଇନାହିଁ ତହିଁ
ଜନ୍ମ-ଜନ୍ମାନ୍ତର ଅନ୍ତେ ଭେଟ ପାଇଲଇଁ ।
ଘନ ବନାନ୍ତରେ କେବେ ଲତା ଆଢୁଆଳେ
ତୁମେ ସେ ମୃଗୁଣୀ ଥିଲ, ଧରିବାକୁ ଜାଲେ
ବସି ବସି ପାହିଗଲା ସେ କାଳର ରାତି
ମୁଁ ଶବର ସେଦିନର ସେ ଜାଲକୁ ପାତି ।
ଫେରିଥିଲି ହତାଶରେ, ତୁମେ ଗଲ କାହିଁ
ଆଜି ଏତେବେଳେ ଦେଖା ହେଲା ଏଇଠାଇଁ ।
ଚନ୍ଦ୍ରଭାଗା ତୀରେ ଅବା ବାଲିବନ୍ତ ତଳେ
ଗୁଡ଼କଙ୍କ ପଛେ ଧାଉଁଥିଲ କୁତୂହଳେ ।
ସିନ୍ଧୁ-ସମୀରଣେ ହଲି ତନୁବାସ-ପ୍ରାନ୍ତ
କରିଥିଲା ସେତେବେଳେ ଏ ଚିତ୍ତକୁ ଭ୍ରାନ୍ତ ।
ଧରିପାରି ନଥିଲି ମୁଁ, ଧରାଦେଲ ଏଥି
ହେ ମୃଗୁଣୀ, ବନବାଳା, ଆଗୋ ମାଳାବତୀ ।
କାଠ କି ପାଷାଣ ଏବେ ପାରୁନାଇଁ ଜାଣି
ବନର ମୃଗୁଣୀ ଅବା ଉଜ୍ଜୟିନୀ ରାଣୀ,
ଲୀଳାମୟୀ ଖେଳାବତୀ ବାଲୁଚର ପ୍ରାନ୍ତେ
ନିର୍ବାକ ନିଷ୍ପନ୍ଦ ଆଜି ଦେଖୁଚି ଏକାନ୍ତେ
ଚାହିଁ ଚାହିଁ ଆଖିରୁ ମୋ ଝରିଯାଏ ପାଣି
ଧାଇଁବାକୁ ଲୋଡ଼ାନାହିଁ ପାଖେ ଅଛ ଜାଣି ।
ଦିନ ମାସ ବର୍ଷ ଧରି ଏକାପରି ଦେଖା
ତିଳେ ତ ହଲାଅ ନାହିଁ ଏ ନୟନ-ରେଖା !
ତୁମେ ଖାଲି ଚିତ୍ର, ଆହା, ତୁମେ ଖାଲି ଫଟ
ଶିଳ୍ପୀର ତୂଳିକା ଲାଗି ଏ ରଞ୍ଜିତ ଓଠ,
ସୁବଳିତ ବାହୁଯୁଗେ ଅନିନ୍ଦ୍ୟ ଏ ଠାଣି
ଖାଲି ମାୟା, ଖାଲି ମିଥ୍ୟା ପାରୁଚି ମୁଁ ଜାଣି ।
[ଡିସେମ୍ବର-୧୯୫୯]
ତୁମେ ନ ଜାଣିନ ନାରୀ, ବର୍ଷ ମାସ ଦିନ
ଅତୀତରେ କେବେ
କିଏ ସେଇ ଭାଗ୍ୟବାନ ଅବା ଭାଗ୍ୟହୀନ
ବିଜନେ ଏ ଠାବେ
ଶୋଇଲା ସମାଧି ତଳେ ! କାହାର ନୟନୁ
ବହିଥିଲା ଲୁହ
ସବୁ ଦେଇ ପୋଛିପାଛି ତା’ ଉପରେ ବହି-
ଗଲା କାଳସୁଅ ।
ଯୁବା ସେ ପ୍ରଉଢ଼ ଅବା କାହା ନେତ୍ରମଣି
କେଉଁ ପରବାସୀ
ପରାଣ ମମତା ତେଜି ସାଧି କି ସାଧନା
ଶୋଇଅଛି ଆସି ।
ଖସିଅଛି ଇଟାଖଣ୍ଡ, ଲାଗିଛି ଶିଉଳି,
ଉଇ ଯାଏ ଚରି
ତୁମେ କିଆଁ ସଫା କର ଘେନି କି ମମତା
କହ ମୋତେ ନାରୀ ?
ଶିରେ ବହି କାଠଗୋଛା ନିତି ଆସ ଏଥି,
ନିତି ଯାଅ ବଣେ,
ଲାଗୁ ତ ନ ଥିବ ଚୂଲି ଦିନେ ଦୁଇ ଓଳି
ଭାବୁଚି ମୁଁ ମନେ ।
ଧୀରେ ପଡ଼େନାଇଁ ପାଦ, ଦୁଃଖର ମୂରତି,
ଅଙ୍ଗେ ଚିରା ବାସ
ବଳକା ଏ ରାଇଜରେ ପାଉ ତ ନ ଥିବ
ଦିନେ ପୂରା ଗ୍ରାସ ।
ଏ ନେତ୍ର କୋଟରଗତ, ଏ କର ଶିଥିଳ,
ଏ ରୂପ ବିଷମ
ଆହୁରି ରଖିଚ ଥାପି ଏ ପ୍ରାଣ ଭିତରେ
ସ୍ନେହ ଅନୁପମ !
ଅଜଣାରେ ଦିଅ ଧୂପ, ଦୀପ ନଇବେଦ୍ୟ
ମଥା କୋଡ଼ ଏଥି,
ଦୁନିଆକୁ ଆସି ତୁମେ ବିଶ୍ୱ-ବଡ଼ଦାଣ୍ଡେ
ଦୁଃଖର ଅତିଥି ।
ଅଳପେ ଉଠାଇ ମଥା କହିଲା ସେ ନାରୀ –
କି ଲାଗି ପଚାର
ଦଇବ କରିଚି ପୁଣି ମୋହ ପାଇଁ ଏଥି
ଏତେ ଅବିଚାର !
ପନ୍ଦର ବରଷୁ ବଳିଗଲାଣି ସେ ଦିନ
ଦିନେ ସଂଧ୍ୟାବେଳେ
ଏଇପରି ବୁଡ଼ି ବୁଡ଼ି ସୂର୍ଯ୍ୟ ଯାଉଥିଲେ
ଏ ପାହାଡ଼ ଶିରେ ।
ଧନକୁ ଅଇଲି ଛାଡ଼ି ଯିବ ବୋଲି ଦୂରେ
ରୋଜଗାର କରି
ଏଇ ଇଷ୍ଟେସନେ ବାବୁ ଟିକଟ କାଟି ସେ
ଚଢ଼ିଥିଲା ଗାଡ଼ି ।
ଗାଡ଼ି ତ ଫେରିଲା କେତେ ଗଣି ହେବନାଇଁ
ଫେରିଲା ସେ ନାଇଁ
ବାରତା ପାଇଲି ଦିନେ ମୁଦିଦେଲା ଆଖି
ପରବାସୀ ହୋଇ
ସାଥୀଏ ଫେରିଲେ ଗାଏଁ, କହିଲେ ତା’ କଥା –
କାରଖାନା ତଳେ
ଶହେ କି ଦୁଇଶ’ ଇଟା ଥାପି ତାହା ନାମେ
ନାଆଁ ଲେଖିଦେଲେ !
ନିତି ନିତି ଏଇ ବାଟେ ଗଲାବେଳେ ବାବୁ
କାଠଗୋଛା ଧରି
ବିଚାରଇ ଏଇ ତଳେ ଶୋଇଅଛି ଅବା
ମୋର ଧନମାଳି !
ଏଇଭଳି ଇଟା ସତେ ଦେଇଥିବେ ଖଞ୍ଜି
ଲିପିଥିବେ ଚୂନ
ଏଇଭଳି ଏକା ହୋଇ ଥିବ ଧନମାଳି
ଶୋଇ ଏତେ ଦିନ ।
ଯେ ହାତେ ପାଳିଲି ତାକୁ ଅଛି ସେଇ ହାତ
ଧନ ନାଇଁ ଆଉ,
ଏ ଥାନ ଓଳାଇଦିଏ, ବିଚାରେ ମନରେ
ଧନ ଶୋଇଥାଉ !
ମୋ ନେତ୍ରୁ ପଡ଼ିଲା ଗଳି ଲୁହ ଦୁଇ ଟୋପା,
ପୋତିଲି ବଦନ
ଆଉ ପଦେ ପୁଚ୍ଛିବାକୁ ସେ ଅନାଥିନୀରେ
ନ ବଳିଲା ମନ ।
[ଅକ୍ଟୋବର-୧୯୫୧]
ଗରିବ ଘରର ସେନେହ ଦୁଲାଳୀ
କିଏ ଅଭାଗିନୀ ଅଛି ମୋ ଭଳି
ପାଠଶାଠ ପଢ଼ି ଶିକ୍ଷିତା ବୋଲି ମୁଁ
ଶାଶୁ-ଶଶୁରଙ୍କ ବଇରୀ ହେଲି ।
ମୁଣ୍ଡେ ଦେଲିନାହିଁ ଓଢ଼ଣା ଓଟାରି
ବୋହୂ ହୋଇ କଥା କହିଲି ମୁହେଁ
ଚଟି ପିନ୍ଧି କେବେ ହୋଇଲେ ବାହାର
ତିଆରିଲେ ଶାଶୁ ଶଶୁର ଦୁହେଁ ।
ହସିଦେଲେ କେବେ ସବୁ ଦୋଷ ହେଲା,
ଠିଆହେଲେ କଥା ଶୁଣିଲି ଟାଣେ
ବସିଲେ ହେଲି ମୁଁ ବଡ଼ ‘ଅଳସୋଈ’,
ଚାହିଁଲେ ‘ଡାହାଣୀ’ ବଚନ ଶୁଣେ ।
ଭାରଥୋରେ ଆଣିନାହିଁ ମୁଁ ସମ୍ପତ୍ତି
ଶୁଣେ ସେଥିପାଇଁ ବୋଲଣା ନିତି,
ଜାଣିନାଇଁ ବୋଲି ଘର-କାରବାର
ଦିନରାତି ଶାଶୁ ଝିଙ୍ଗାସୁଥାନ୍ତି ।
ହେଲି ଭାଗ୍ୟବତୀ ଗର୍ଭେ ଧରି ଯେବେ
ଏ ଧନମଣିକି, ‘ଡଙ୍କୁଣୀ’ ନାମେ
ଡାକିଲେ ଶଶୁରେ, ଆଡ଼େଇ ରଖିଲେ
ଶାଶୁ ମୋତେ ଯେତେ ମଙ୍ଗଳ କାମେ ।
ରଟିଲେ ଦୁର୍ନାମ – ଛୁରୀ ରଖିଚି ମୁଁ
ଦେବି ସ୍ୱାମୀଗଳେ ଶୋଇବା ଶେଯେ
ସତକୁ ସତ ହେ ଛୁରୀ ବାହାରିଲା
ଶେଯ ଟେକୁ ଟେକୁ ପାଇଲି ନିଜେ ।
ସେ ଦିନୁ ଆଡ଼େଇଦେଲେ ପ୍ରିୟତମ,
ମୁଁ ତ ଜାଣିଲିନି କିଏ ରଖିଚି
ପଦେ କହିବାକୁ ବେଳ ମିଳିଲାନି
ମନକଥା ମୋର ମନରେ ଅଛି !
ବାଇଆଣୀ ଅବା ନ ହେବି କି ଭଳି
ଥାନାବାବୁ ତୁମେ ପାରିବ ବୁଝି
ଚାରିଆଡ଼େ ମୋତେ ଦିଶିଲା ଅନ୍ଧାର
ପ୍ରାଣ ପ୍ରିୟତମ ଦେଲେ ବରଜି !
ମୋ ତହୁଁ ସୁନ୍ଦରୀ ଧନ-ମାନବତୀ
ବୋହୂପାଇଁ ଖାଲି ପଡ଼ିଲା ଖୋଜା
ବାଇଆଣୀ ବୋଲି ମୋତେ କହିବାକୁ
ତାଙ୍କ ମୁହେଁ କଥା ହୋଇଲା ସୋଜା ।
ମୁଣ୍ଡେ ତେଲ ନାହିଁ, ମୋ ଅଙ୍ଗେ ବସନ
ତିନି ଦିନେ ଦିନେ ନହୁଏ ଧୁଆ
ଛାତି ମୋ ଶୁଖିଲା, କ୍ଷୀର ଟୋପେ ନାହିଁ,
କି ଭଳି ବଞ୍ଚାଇପାରନ୍ତି ଛୁଆ ?
କୁଳକୁ କଳଙ୍କ କାହିଁକି ହେଲି ମୁଁ,
ହେଲି କାହା ଲାଗି ନ ପାରେ ଜାଣି,
ବୁଝିଲେନି ସେ ତ ଧରିଥିଲେ ଯେହୁ
ବେଦିରେ ବସି ମୋ କୋମଳ ପାଣି !
ପ୍ରାଣ ପ୍ରିୟତମା କରନ୍ତି ଚାକିରି
ମାସକୁ ଦେଢ଼ଶ’ ଘରକୁ ଆସେ,
ପେନସନ୍ ତୁଲେ ଶଶୁର ପାଆନ୍ତି
ଦୁଇ ଶହୁଁ ବେଶି ମାସକୁ ମାସେ ।
ମୁଁ ତ ମାରିନାହିଁ କୋଳର ସଙ୍ଖାଳି
ଡାହାଣୀ ହୋଇ ମୁଁ, ନାହିଁ ମୋ ଘର,
ଦୁଆର କିଳନ୍ତି ରାତିକେ ଦି’ଥର
ଯିଏ ମତେ, ତାଙ୍କୁ ତୁମେ ପଚାର ।
ଦେବ ଯେବେ ମତେ ଦିଅ ହେ ପଠାଇ
ଧନ ଉଡ଼ିଗଲା ଯେବଣ ଦେଶେ
ତଥାପି କହୁଚି – ପ୍ରାଣ ପ୍ରିୟତମେ
ଏଥିପାଇଁ ଦୋଷ ନ ଦେବ ଲେଶେ !
[ଜୁନ୍-୧୯୬୦]
ତୁମେ ମୋର ବାଉରି ପଧାନ
ମୁଁ ତୁମର ଗଦାଧର ବାବୁ
ତୁମେ ଗାଏଁ ଚାଷ କର ଧାନ,
ଚାକିରିଟା ମୋ ସମ୍ବଳ ସବୁ ।
ତୁମକୁ ମୁଁ ଜାଣିଚି ସେ ଦିନୁ
ବର୍ଷ କେତେ ଗଲାଣି ତ ବିତି
ପାସୋରି ମୁଁ ପାରୁନାହିଁ ମନୁ
ଦୁହିଁଙ୍କର ଦୁଇଆଡ଼େ ଗତି ।
ତୁମେ ମୋର ପଧାନ ବାଉରି,
ମୁଁ ତୁମର ବାବୁ ଗଦାଧର
ତୁମେ ଏବେ ଦେଶର ନାଉରି
ମୁଁ କହୁଚି – ଯାତ୍ରୀ ହୁସିଆର !
ତୁମେ ହାତେ ଧଇଲ ଲଙ୍ଗଳ
ଧଇଲି ମୁଁ ସୁନାର କଲମ
ତୁମ ଘରେ କାଇଁଚର ମାଳି
ମୋ ପ୍ରିୟାର ହେମ ଆଭରଣ ।
ତୁମେ ମୋର ପଧାନ ପଡ଼ୋଶୀ
ମୁଁ ତୁମର ବନ୍ଧୁ ଦୂର ସାଥୀ
ତୁମ ଘରେ ଡିବିରି ଜଳୁଚି
ମୁଁ ଜାଳୁଚି ବିଜୁଳିର ବତି ।
ଶାକାନ୍ନରେ ପୁରାଅ ଉଦର
ଭୂମିଶଯ୍ୟା, ବାହୁ ଉପାଧାନ,
ମୁଁ କରୁଚି ଦେଶକୁ ଉଦ୍ଧାର –
ତୂଳୀ ତଳ୍ପେ ନିରତ ବିଶ୍ରାମ ।
ତୁମେ ମୋର ବାଉରି ପଧାନ
ଭାଗବତ ଶୁଣ ନିତି ଘରେ
ମୁଁ ତୁମର ଗଦାଧର ଜାଣ
ଗୀତ ଶୁଣେ କଳାମନ୍ଦିରରେ ।
ଶୋଇ ତୁମେ ସ୍ୱପ୍ନ ଦେଖ ନିତି
କ୍ଷେତ, ଖତ, ପାଣି ଓ ପବନ
ମୋର ଅବଚେତନାର ମତି
କରେ ଧନ ପଛେ ପ୍ରଧାବନ ।
ମୋ ଗାଆଁର ବାଉରି ପଧାନ
ସହରେ ମୁଁ ଗଦାଧର ବାବୁ
ତୁମେ କର ବିରି, ମୁଗ, ଧାନ,
ମୁଁ ଦେଖୁଚି ଟଙ୍କାମୟ ସବୁ ।
ତୁମେ ଯାହା କରୁଚ ଅମଳ
କି ସୂତ୍ରେ ତା ଆସୁଅଛି ଚାଲି
ତୁମ ପାଇଁ କରେ ମୁହିଁ ମୂଲ
କରିବାକୁ ଆନ ଦେଶେ ପାରି ।
[ଜାନୁଆରୀ-୧୯୬୦]
ମଥାର ଓଢ଼ଣା ପଡୁଥିଲା ତାର ତଳକୁ ଖସି
ଜନସମାଗମ ବସ୍ଟା ଭିତରେ ପଡ଼ିଲା ବସି ।
ଜଡ଼ିସଡ଼ି ମୁହଁ ପୋତିଲା ତଳକୁ ଲଜ୍ଜାନତା
ଗହଳ ଭିତରେ ନ ଫୁଟେ ଅଧରୁ ପଦିଏ କଥା ।
ଜଣାପଡୁଥିଲା ଶିରେ ତରତରେ ବସନ ଦେଉ –
ଜୀବନସାଗରେ ଅଠର ବରଷେ ଅଠର ଢେଉ
ପାରିହୋଇଚି ବା; ଉଦ୍ଦାମ ତାର ଅଙ୍ଗଠାଣି,
କାହା ପୁରତଳ ଉଜ୍ଜ୍ୱଳ କରେ କାହାର ରାଣୀ ।
କେତେ ବସନ୍ତ ତନୁରେ ତାହାର ଯାଇଚି ବାଜି,
ଯୁଗ କରତଳ ନେତ୍ରଯୁଗଳ ପାଖୁଡ଼ାରାଜି
ଅତି ଅମଳିନ, ହେମ ଅପଘନ ହଲିଲେ ଦିଶେ
ନବ ‘ନାଇଲେନ୍’ ବସନ ଭିତରେ ଫୁଟିଚି କି ସେ ?
ସଦ୍ୟ ଏକଇ କୋଳର କଳିକା କାନ୍ଦି ଡାକେ
କିବା ସେ ମାଗଇ ଜାଣିହୁଏ ଖାଲି ତରୁଣୀ କାଖେ ।
ଚାହେଁ ବାଲୁବାଲୁ, ଖାଇବାକୁ ଲୋଡ଼େ ସ୍ତନ୍ୟ ଝୁଣି,
ଯେତେ ତୁନି କଲେ ମାଆର ଛାତିକି ଖୋଜଇ ପୁଣି !
କିଏ କହେ ତାକୁ ପାଣିଟୋପେ ଦିଅ, ବଦନେ ଚାହେଁ,
ଖୋଲି କାଞ୍ଚୁଲି ଜନନୀ କିଭଳି ସ୍ତନ୍ୟ ଦିଏ ?
ଲଜ୍ଜାନତାର ଗୁରୁ ସମସ୍ୟା ସେ ନାଇଲେନେ
ଧନକୁ ଜାକି ସେ ଆଡ଼ପଣନ୍ତେ ବିଚାରେ ମନେ –
ପରାଣ ପ୍ରତିମା ଜୀବନର ଧନ ଝାଉଁଳିପଡ଼େ
ସଂସ୍କାର ମୋର କିବା ବାଧା ଦିଏ ବକ୍ଷତଳେ !
ସଭ୍ୟତାର ଏ ଗୁରୁ ସମସ୍ୟା ବସନ ଭୂଷା
ପାରୁନି ତୁଟାଇ କୋଳେ ଜାକି ମୋର ଧନର ତୃଷା ।
ଚାଲି ଗତିପଥେ ଦୂରେ ଯାଇ ଯେବେ ରହିବ ଯାନ
ଶୋଇପଡ଼ିଥିବ ମୁହଁ ରଖି ବୁକେ ପରାଣଧନ ।
କବି ବିଚାରଇ – କେବେ ଖାଇଥିବ ସ୍ତନ୍ୟ ଝୁଣି
ଶଙ୍କିତ ସେଇ ନାଇଲେନ୍-ନାରୀ ବକ୍ଷେ ପୁଣି !
[ଅପ୍ରେଲ୍-୧୯୬୦]
ସେଦିନ ତୁମେ ମୋତେ ଆଣିଲ ଡାକି
ଦୋକାନୀ ପଇସାଟା ରଖାଇ ବାକି
ଆଦରେ ହୃଦ ମୋର ମେଲାଇଦେଇ
ନିବିଡ଼ ଭାବେ ନେଲ କାଖରେ ଜାକି ।
ଥିବ ତ ମନେ, ଘରେ କହିଲ ବସି
ପ୍ରିୟାରେ ଚାହିଁ ଚାହିଁ ଅଳପ ହସି,
ତୁମରି କାଖତଳୁ ପଡ଼ିଲି ଖସି ।
ଗୋଟେଇ ତଳୁ ସେଇ କମଳ କର
ଫୁଟେଇଦେଲା ହସ ମଧୁରତର,
ମେଲେଇଦେଲା କରି ଘରଟାଯାକ
ପାସୋରିଦେଲି ମୁହିଁ ଆପଣା-ପର ।
ତା’ ପରେ ଯାହା ହେଲା ବନ୍ଧୁ ଶୁଣ,
ତୁମରି ହୋଇ କେତେ ଶୁଝିଲି ଋଣ –
ଶୀତରେ ହେଲି ତୁମ ଅଙ୍ଗ-ସାଥୀ
ଅପରେ ବଖାଣିଚ ମୋହରି ଗୁଣ ।
ସାଥୀରେ ନେଲ ମତେ କଟକ, ପୁରୀ
ବେଡ଼ିଂ ତଳେ ଅତି ଯତ୍ନକରି,
ସାବୁନ ଦେଇ କେତେ କରିଚ ସଫା
ଲାଗିଲେ ଧୂଳି ମଳି ଦେଇଚ ଝାଡ଼ି ।
ସେଦିନ ଯାଉଥିଲ ସଭାକୁ ଥରେ
କାମିଜି ଚିରିଥିଲା କାନ୍ଧ ପରେ
ବ୍ୟସ୍ତହେଲ କେତେ, କହିଲି ଥାଇ –
ମୁଁ ଥାଉ ଭୟ କିବା ଭଦ୍ରତାର ?
ଆଉ ଯେ ଦିନେ ଥରେ, ପଡୁଚି ମନେ
ଗୋଟିଏ ଲୁଗା ଥିଲା ଲୁଙ୍ଗି ବିନେ,
ରାତିରେ ହେଲା ତବ ଚିନ୍ତା ବେଶି,
ଲୁଙ୍ଗି ହେଲି ମୁହିଁ ଆତ୍ମଦାନେ ।
ହାତରେ ଛତା ନାହିଁ, ଛିଡୁଚି ଖରା
ବହୁଚି ମରୀଚିକା ଧରଣୀସାରା
ମୁଁ ଥାଇ କୁଳବୋହୂଟି ସମ;
କରିଲି ପାରି ଖରାତାପରୁ ପରା !
ଚଦର ତୁମର ମୁଁ ସେଦିନ ସାଥୀ
ପୁହାଇ ତୁମ ତୁଲେ ଦିବସ ରାତି
ଶିଖିଲି ତୁମଠାରୁ ବହୁତ ଗୁଣ –
ପରକୁ ସେବିବାଟା ମହତ ନୀତି ।
ଆଜି ଯେ ମତେ ତୁମେ ବିଦାୟ ଦେଇ
ଘରର ଅଳିଆରେ ରଖିଲ ନେଇ
ତୁମରି ମାଟି ପାଇଁ ହୋଇବି ଖତ
ବଗିଚା କୋଳେ କପାମୂଳରେ ଯାଇ ।
ପାଇ ମୋ ଖତ ଗଛେ ଫୁଟିବ ଫୁଲ
କପାର ହେବ ତହିଁ କେତେ ଯେ ମୂଲ !
କାଟିବେ କେତେ କିଏ ଅରଟ ଧରି
ହୋଇବି ସରୁ ସୂତା କି ସମତୁଲ !
ତା’ ପରେ ଯିବ ତୁମେ ଜାଣୁଚି ମୁହିଁ
ଦୋକାନୁ କିଣି ମତେ କାଖରେ ନେଇ
ଆସିବ ଆଗପରି ତୁମରି ଘରେ
ବିଦାୟ ନେଇଯାଏ ଏତିକି କହି ।
[ସେପ୍ଟେମ୍ବର-୧୯୫୯]
ଏଇ ଚାଲିଯାଏ ପରାଧୀନ ଯୁଗ –
ଘୋର ବିଷାକ୍ତ କାଳ,
ଏଇ ପଥେ ପଥେ ଚାଲିଗଲେ କେତେ
ଶିଖି-ମନାଇର ଦଳ !
ବାଟୋଇ ଭାଇ ରେ, ପାଦ ପକା ଧୀରେ,
ସାବଧାନ ସାବଧାନ,
ଦୁର୍ଗମ ପଥେ ଆହୁରି ଅଛି ତୋ’
ମୁକ୍ତିର ଅଭିଯାନ ।
ଏଇ ଚାଲିଯାଏ ପରାଧୀନ ଯୁଗ-
ବାଟୋଇ ତୁ ରଖ ମନେ
ଏଇ ଦେଶେ ଥିଲେ ସେ ଜୟଚନ୍ଦ୍ର
ପ୍ରତିହିଂସାରେ ଦିନେ
ପରକୁ ନ ମାରି ଆପଣାରେ ମାରି
ମାରିଲେ ଆପଣା ଜାତି
ଏତେବେଳେ ତୁ’ ଇ ସାବଧାନ ଭାଇ,
ପାଉଚି ଗଭୀର ରାତି ।
ହେଲା ଶେଷ ଭାଇ ପରାଧୀନ ଯୁଗ,
ଦୁର୍ବହ ମହାକାଳ
ଏଇ ଦେଶେ କେତେ ଜନମିଥିଲେ ରେ
ନିମକହାରାମ ଦଳ ।
ଆପଣାର ତୋଟି ଆପେ ସେ କାଟିଲେ,
କାଟିଲେ ଜାତିର ତୋଟି
ଆଜି ରେ ବାଟୋଇ, ତୋତେ ଅଛି ଚାହିଁ
ଓଡ଼ିଆ ଏ ଦେଢ଼କୋଟି !
[ସେପ୍ଟେମ୍ବର-୧୯୪୭]
କରତ କର ମତେ କରତ କର
ଜାଣି ମୁଁ ପାରେ ନାଇଁ ବଜାର ଦର,
ଭେଦି ମୁଁ ପାରେ ନାଇଁ କାହାରେ ଏଥି
ଦିବସ-ନିଶି ହୁଏ କି ହରବର !
ଚାନ୍ଦା ମାଗୁଥିଲା ଯେ କରଯୋଡ଼ି
ପଇସା ଦେଲି ତାର ଝୁଲିରେ ଭରି,
ତା’ ପରେ ଗଲି ଦିନେ ଚାନ୍ଦା ମାଗି
ଫେରାଇଦେଲା ମତେ ଦୁଆର କିଳି !
ଗାଇଲି ଦିନରାତି ଯାହାର ଜୟ
ଲୋକରେ ପ୍ରଚାରିଲି ନ କରି ଭୟ,
ଆଗରେ ଯାଇ ବସିଲା ମାଡ଼ି
ଘୋଷଣା କରି ସେହି ମୋ ପରାଜୟ !
ନୟନ ନିମୀଳିତ, ଅଧର ସ୍ମିତ
ଗଣ୍ଡେ ହସୁଥିଲା ଗୋଲାପ ଶତ,
କରିଲି ସାଥୀ, କେତେ ବରଷ ଗଲା
ଶେଷରେ କଲା ମତେ ଦନ୍ତାଘାତ ।
କୋମଳ ଅନାବିଳ ଶିଶୁରେ ଧରି
କୋଳକୁ ନେଲି ଟାଣି ଆଦର କରି
ଚୁମ୍ବ ଦେଲି ମୁଖେ, ଧଇଲି ଜାକି
ମଣିଲି ଆହା ତାକୁ ନିଜର ପରି ।
ବୟସ ଏଗାର ଯେବେ ଗଲା ସେ ଡେଇଁ
ଦେଖିଲି ଆଉ ସେ ତ ମୋହର ନାଇଁ,
ଜଟିଳ ମନ ତାର କୁଟିଳ ଗତି
ବିଷମ ପରିଣାମ ଭୋଗିଲି ତହିଁ ।
ବାଟୋଇ ମୁହିଁ ବାଟ ନ ପଡ଼େ ଜଣା
କରିଲେ ମତେ କିଏ କି ପ୍ରତାରଣା !
ଯାହାକୁ କରିଥିଲି ବାଟର ସାଥୀ
ସେହି ତ ହେଲା ଶେଷେ ବାଟର ଖଣା !
ଯାହାକୁ ଭାବିଥିଲି ଆଖିର ତରା
ଯାତ୍ରାପଥେ ଦେଲା ଦାରୁଣ ଖରା,
ନିବିଡ଼ ଏ ସଂସାରେ ଚିରିବା ପାଇଁ
କରତ ପରି ଖାଲି ଦାନ୍ତ ଲୋଡ଼ା !
କରତ କର ମତେ କରତ କର
ଜାଣି ମୁଁ ପାରେ ନାଇଁ କାହାରେ ଏଥି
ଦିବସ-ନିଶି ହୁଏ କି ହରବର !!
[ଅକ୍ଟୋବର-୧୯୬୦]
ଗୁର୍ଜର ସୀମା ରାଜକୋଟ ତଳେ ଆଜି
ଘୋର ରଣଭେରୀ ଗମ୍ଭୀରେ ଉଠେ ବାଜି ।
ହିମାଚଳ ତଳ କୁମାରୀ ପୁଳିନେ ଡାକେ
ସାବରମତୀର ମହାମାନବର ପାଖେ ।
କେଉଁ ଘନ ବନ ଗିରି କନ୍ଦରା ପାଶେ
ଯୋଗୀ, ମୁନି ଯୋଗ ସାଧିଲେ ମୁକ୍ତି ଆଶେ ।
ଅନୀତି ତା’ପରେ ଆପଣା ମାଂସ ଦେଇ
ଜଗତେ ଶାନ୍ତି ଥାପିଲେ କେ ଋଷି ଥାଇ ।
ଆଜି ଭାରତର ଚିର ହାହାକାର ପଥେ
ଅବତରି ଅବା ଦେବତା ଅଇଲେ ସତେ !
ଲାଞ୍ଛିତ ଜନେ ଆପଣା ବକ୍ଷେ ଧରି
ସୁଧା ଦେଇ ଦୁଃଖ-ବିଷକୁ ପିଇଲେ ଗୋଳି ।
ସେ ଥାନେ ଆଜି ରେ ଚାଲିଛି ମରଣ-ଲୀଳା
ଜନ ଦୁଃଖ ଦେଖି ତରଳେ ନିଠୁର ଶିଳା
ସେଠି ଯେବେ ଆଜି ମାନବ ରହିଚି ଥିର
କି ବୋଲି କହିବା ପ୍ରାଣ ଅଛି ମାନବର ?
ଶବପୁରେ ଆଜି ଶାନ୍ତିର ମହାମୁନି
ପଣ କଲେ ଆହା ! ଦେବେ ପ୍ରାଣବୀଜ ବୁଣି ।
ଧ୍ୱଂସ ଉପରେ ସୃଷ୍ଟି କରିବେ ତାଜା
ସାବରମତୀର ମୁନି ସନ୍ନ୍ୟାସୀ ରଜା ।
[ମାର୍ଚ୍ଚ-୧୯୩୯]
କନ୍ଥା, ତୁମେ ଶିକ୍ଷା ଦେଲ ଏଇ ଜୀବନ ଜାଣି
ବକ୍ଷପରେ ଛନ୍ଦି ରଖି ଏ ମୋ ଯୁଗଳ ପାଣି
ଛିଣ୍ଡା ଚିରା ଗଣ୍ଠିପକା ସକଳ ସ୍ମୃତି ଧରି
ସିଲେଇ କରେ ଚିତ୍ତତଳେ ଦୁଃସ୍ଥ ଜନ ପରି ।
ଫାଲ୍ଗୁନରେ ଫୁଟି ଯେ ଥିଲା ମଉଳିଅଛି ଫୁଲ
ମଉଳା ଫୁଲେ କିଏ ସେ ଆଉ ଦେଉନି ଡାକି ମୂଲ ।
ପ୍ରାବୃଟର ଉଛୁଳା ନଈ ସେ ଯଉବନ ବୁକେ
ପିଛୁଳାକରେ ଉଭେଇଗଲା କାହିଁ ସାଗରମୁଖେ ।
ଉଇଁ ଯେ ଥିଲା ସେଇ ଶରତେ ଜୋତ୍ସ୍ନାଭରା ଶଶୀ
ଏଇ ଜୀବନ-କୁମୁଦବନେ ଫୁଟାଇ ହାସରାଶି
ବହିଲା ଶୀତ କାତର ବାତ, ତିମିର ନିଶି ତଳେ
ଅଧର ବୁଜି କୁମୁଦ ରହେ, ପାଖୁଡ଼ା ଝରିପଡ଼େ !
ଚିହ୍ନା କେତେ ବାଟୋଇ ଗଲେ ନାଆଁ ତ ଅଛି ମନେ
ଜଗିଲି କେତେ, ଫେରିଲେ ନାଇଁ ସେଥିରୁ ହେଲେ ଜଣେ ।
ସେ ସବୁ କଥା ବିଚାରି ଆଜି କନ୍ଥା ରଚେ ବସି
ଯୋଗାଡ଼ କରି ମଉଳା ଫୁଲ, ପାଖୁଡ଼ା, ମଲା ଶଶୀ !
ମନର ଜୋରେ ଛୁଞ୍ଚି ସୂତା ସ୍ମୃତିକି ଧରେ ଟାଣି
ପଛକୁ ବୁଲି ଦେଖୁଚି ଖାଲି, ଯାହାକୁ ଥିଲି ଜାଣି ।
[ଜାନୁଆରୀ-୧୯୬୦]
ବାଣୀ, ତୁମେ ଜାଗିଥିଲ ଏ ବିରାଟ ଦେଶେ
ହସ୍ତେ ଧରି ପୋଥିପତ୍ର ‘ଶୁକ୍ଳାମ୍ୱରୀ’ ବେଶେ ।
ଥିଲ ତୁମେ ପଦ୍ମଭୂଷା, ହଂସ-ସମାସୀନା
ଉଠୁଥିଲା କି ଝଙ୍କାର ଭେଦି ତୁମ ବୀଣା ।
ଜ୍ଞାନୀ, ଗୁଣୀ ସର୍ବେ ମିଳି କରୁଥିଲେ ପୂଜା
ବାଣ୍ଟିଚ ଅଭୟ କେତେ ହୋଇ ଚତୁର୍ଭୁଜା ।
କାହିଁ ରାଜ-ସଭାତଳେ, ଦରିଦ୍ର କୁଟୀରେ
ଜାଗିଚି ଜୀବନ ତୁମ ସଙ୍ଗୀତ ଫୁଟିଲେ ।
ବିକେନ୍ଦ୍ରୀକରଣ ଆଜି ହେଲ, ସନାତନୀ –
‘ନାଟକ’ – ‘ସଙ୍ଗୀତ’ – ‘ନୃତ୍ୟ’ – ‘କଳା’ – ଏକାଡ଼େମୀ ।
ଏକ ଘରେ ରଖି ବୀଣା ଯିବ ଆନ ଘରେ
ସେ ଘରେ ସାହିତ୍ୟ ଥିଲେ ଏଠି ନୃତ୍ୟ ଚାଲେ ।
ଏ ଘରେ ଗାଇଲେ ଗୀତ ସେ ଘରକୁ ମନା
ସେ ଘରେ ଚାଲିଚି ଯେବେ ନୃତ୍ୟ ଆଳାପନା ।
ଏସବୁ ଏକାଠି ହେଲେ ତୁମେହିଁ ‘ଭାରତୀ’
‘ବିକେନ୍ଦ୍ରୀକରଣ’ ଏବେ ଶାସନରେ ରୀତି !
କେନ୍ଦ୍ର ଛାଡ଼ି ତୁମେ ଏବେ ପରିଧିରେ ବୁଲ
ଗଦ୍ୟ ଏବେ ଦିଏ ପରା କବିତାର ମୂଲ ?
ଗଦ୍ୟ ପଦ୍ୟ ଦୁହିଁଙ୍କର ନାହିଁ ସୀମାରେଖା
ତେଣୁ ଆଜି ତୁମର ମୁଁ ପାଉନାହିଁ ଦେଖା !
[ଅକ୍ଟୋବର-୧୯୫୮]
ଅତି ଛନ ଛନ କୁମାରୀ ଧରଣୀ
ସବୁଜ ପତ୍ର ତଳେ
କଳକଳ ଛଳଛଳ କମ୍ପନେ
ଗିରି ନିର୍ଝର ତଳେ ।
ସର୍ପିଳ ସେଇ ଗତି ପଥେ ପଥେ
ମଧ୍ୟ ଦିନର ରବି
ରହି ଦେଖୁଥିଲା କୁଟଜ, ମଲ୍ଲୀ,
ଅପରାଜିତାର ଛବି ।
ସେଇ ବନାନୀର ନିବିଡ଼ ଫାଙ୍କେ
ସେ ରବିକିରଣ ତଳେ
ଜନମ ଲଭିଲ ‘ନୀବାର’ ନାମରେ
ଧାନ ! ତୁମେ ଯେତେବେଳେ,
ମାନବଜାତିର ଦୁଇ ଚାରି କିଏ
ଋଷି-ନନ୍ଦନ ନାମେ
ଖୋଜି ବୁଲୁଥିଲେ, ତୁମକୁ ପାଇଲେ
ସେ ଦିନର ଆଶ୍ରମେ ।
ଅତି ଅଯତନେ ପାଳିତ ବନ୍ଧୁ,
ବନ୍ୟ ଗରବେ ଜାଗି
ଯୋଗରତ ଶତ ଋଷିରେ କରିଲ
ଖାଦ୍ୟରେ ଅନୁରାଗୀ ।
ସେଦିନ ବୋଲାଇ ତୁମେ ବାଳୁଙ୍ଗା
ତା’ପରେ ହୋଇଲ ଧାନ
ସେ ଯେ ବାଳୁଙ୍ଗା ରୂପର ହୋଇନି
ଓଡ଼ିଶାରେ ସମାଧାନ !
ତୁମେ ହେ ନୀବାର ! ଆହେ ବାଳୁଙ୍ଗା !
ଯୁଗ ଯୁଗ ଯୁଗ ପରେ
ବିବର୍ତ୍ତନରେ ଧାନ ପାଲଟିଲ
ସବୁଜ ଧରଣୀ ତଳେ ।
ମନ-ମନ୍ଦିରେ ମନୁ-ସନ୍ତାନ
ତୁମକୁ ପୂଜିଲେ ନେଇ
ତୁମେ ହେଲ ମହାଲକ୍ଷ୍ମୀ ଦେଶର
ପିଣ୍ଡ ଅନ୍ନମୟୀ ।
ତୁମେ ହେଲ ଏବେ ଦେଶରେ ବଳକା
ଚାରିଆଡ଼େ ପଡ଼େ ହୁରି
ତୁମରି ପୂର୍ବ-ପୁରୁଷ ଯେତେ ଏ
ସାରା ଓଡ଼ିଶାରେ ପୂରି -
ବଳକା ନାମରେ ପଠାଇ ଧାନରେ
ପେଟରୁ ଅନ୍ନ କାଟି
କରିଲେ ଶାସନ, ଏଇ ତ ଦେଶର
ଶାସନର ପରିପାଟୀ !
ଆମ ଓଡ଼ିଶାର ଯେତେ ବାଳୁଙ୍ଗା
ରାଜଧାନୀ ତଳେ ଜମା,
ଏତିକି ଦୁଃଖ - ତୁମେ ଯିବ ଛାଡ଼ି
ବିଶାଳ ଓଡ଼ିଶା ସୀମା ।
ବଳକା ନାମରେ ତୁମେ ଗଲେ ଛାଡ଼ି
ଜନତା ମରିବେ ଶେଷେ
ଆଉ କିଏ ନାଇଁ ଏଇ ବାଳୁଙ୍ଗା
ଉପାଡ଼ିବାପାଇଁ ଦେଶ ।
[ଡ଼ିସେମ୍ୱର-୧୯୫୮]
ଏ ପାଖ ନଈର ପାଣି ଶୁଖିଗଲା,
ସେ ପାଖ ନଈରେ ବୋଇତ ଚାଲେ
ଏ ପାଖ ଗଛର ଫୁଲ ଝଡ଼ିଯାଇ
ସେ ପାଖ ଗଛରେ ମୁକୁଳ ଧରେ,
କହିବ କି ଭାଇ, ସେ କେତେ ଦୂର ?
ବିହାରୀବାଗରୁ ତୁଳସୀପୁର !
ସେ ପାଖ ଶ୍ୟାମଳ ବନତରୁତଳ
ହାସ୍ୟମୁଖର ରଜନୀ-ଦିବା
ଏଇ ପୁରାତନ ଥୁଣ୍ଟା ଗଛର
ଶିରୀ ତୁଟିଗଲା ସତେ କି ଅବା ?
ଜାଣିଚ କି ଭାଇ, ସେ କେତେ ଦୂର ?
ବିହାରୀବାଗରୁ ତୁଳସୀପୁର !
ଶୁଭୁଚି ସେ ପାଖେ ନବଜାତକର
ଘନ କଳରୋଳ, ଯାତ୍ରା ଚାଲେ
ରାତ୍ରି ନିବିଡ଼, ଘୋର ମହାକାଳ
ଏଇ ପାଖେ ବସି ହାକୁଟି ମାରେ
ଶୁଣିଚ କି ଭାଇ, ସେ କେତେ ଦୂର ?
ବିହାରୀବାଭରୁ ତୁଳସୀପୁର !
ଏ ପାଖ ଦେଉଳେ ତାଲା ପଡ଼ିଗଲା,
ସେ ପାଖେ ଦେଉଳ ସାହାଣମେଲା
ଏ ପାଖର ଯେତେ ଭକ୍ତ ଭିକାରି
ସେ ପାଖେ କଲେଣି ଶିରିଣି ପାଲା
କହିବ କି ଭାଇ, ସେ କେତେ ଦୂର ?
ବିହାରୀବାଗରୁ ତୁଳସୀପୁର !
ଏ ପାଖ ବେଦିରୁ ବର ଉଠିଗଲା,
ସେ ପାଖ ବେଦିକୁ ଚାଲ ରେ ସିଧା
ଆରେ ମୋ ବାଟୋଇ ଆଉ ନ ମଠେଇ
କରିବାକୁ ହବ ସବୁ ସୁବିଧା ।
କହିବ କି ଭାଇ ସେ କେତେ ଦୂର ?
ବିହାରୀବାଗରୁ ତୁଳସୀପୁର !
[ମେ-୧୯୬୧]
କାହିଁ କେତେ ଦୂରେ ବନସ୍ତ ଭିତରେ
ଜନମି ପାଦପ ବେଶେ
କାଠ ହୋଇ ତୁମେ ଚଉକି ହେଲ ହେ,
ସରକାରୀ ଘରେ ଶେଷେ ।
ଭିଡ଼ିଚି, ଟାଣିଚି, କେତେ ଘୋଷାରିଚି
ଦିନେ ତ କହିନ କଥା
ଥରେ ହେଲେ କେବେ ସପନେ ଦେଇନ
ଏ ମୋର ମରମେ ବ୍ୟଥା ।
ଜଳି ପ୍ରେମାନଳେ ପ୍ରୀତି ଅଭିସାରେ
ବସିଚି ତୁମରି ବୁକେ
ଚାଲିଚି କଲମ ଅତି ନିରିମମ
ଏଡ଼ି ପ୍ରିୟଜନ ସୁଖେ ।
ନ୍ୟାୟ ନିକିତିରେ ତୁଳିବାକୁ ବସି
କେତେ ଅଭାଜନ ଦାବୀ
ଧରି ପାପବୁଦ୍ଧି ଏଡ଼ି ନୀତି ବିଧି
ଦେଇଥିବି ଅବା ଦାବି !
ତଥାପି ହେ ତୁମେ ମଉନ ରହିଚ,
ରହିଚ ନିବିଡ଼ ଜଡ଼
ତୁମରି ଛାତିରେ ମାନ ସନମାନେ
ନିଜକୁ କରିଲି ବଡ଼ ।
ବସିବେ ଏ କୋଳେ କେତେ ସାଧୁଜନ
ଅବା ଖଳ ଦୁରାଚାରୀ
କାହା କଥା ତୁମେ କାହାକୁ ନ କହି
ଏଇ ଥାନେ ଥିବ ପଡ଼ି ।
ତୁମେ କେବେ ଯେବେ ଜୀବନ ପାଇ ହେ
କହିପାରନ୍ତ ଏ କଥା
ରାମରାଇଜର ରୂପ ବଇଭବ
ଏ ମରତେ ଆସିଯା’ନ୍ତା ।
ପଛରେ ଆସି ମୁଁ ଆଗରେ ଯାଉଚି
ମୋ ପଛେ ଆସିବେ କେତେ
ତୁମେ ଦେଖୁଥିବ ହେ ପ୍ରିୟ ଚଉକି
ଯିବେ ସେ ମୋ ଚଲାପଥେ !
ହେ କାଠ-ଦୋସର ତୁମ ବୟସର
ଚାକିରି ବାରଣ ନାଇଁ
ବରଷକେ ଥରେ ରଙ୍ଗ ବୋଳିହୋଇ
ପଡ଼ିଥିବ ଏଇ ଠାଇଁ ।
[ଡ଼ିସେମ୍ୱର-୧୯୬୦]
କି କଥା କହିବି ଆଜି ଏ କଲମେ କବିତାରେ ?
ଦେଖି ଏ ଜାତିର ପରଗତି
ଗଲା ଯୁଗ ଯୁଗ ଦେଖି କେତେ ଶଶି ସବିତାରେ
ଓଡ଼ିଆ କବିର କରାମତି ।
ବରଷା ନ ହେଲା, ଧରା ପାଲଟିଲା ମରୁତଳ
ଗଜାରୁ ଫସଲ ଗଲା ପୋଡ଼ି
କେଉଁ ଦେବତାର କି ଅଭିଶାପରେ ଥରଥର
ଏ ଓଡ଼ିଆ ଗଲା ଗାଆଁ ଛାଡ଼ି ।
ପତି ଗଲା ଦୂର ବିଦେଶ ପଥରେ ରୋଜଗାରେ
ଛାଡ଼ି ପରାଣର ପ୍ରିୟତମା
ବିରହ ବୁକୁରେ ଲୁହ ଦେଖାଗଲା ଗାରେ ଗାରେ
କବି କଲମରେ ଗୀତ ଜମା !
ଏ ରାତି ପାଇଲେ ପୁଅ ଯିବ କାଲି କଲିକତା
କରି ଚଟକଳେ ରୋଜଗାର
ବୁଢ଼ୀ ଜାଣେ ନାଇଁ ଗାଆଁ ଛାଡ଼ି ଆର ଗାଆଁକଥା
ଚାଉଳ ଭାଜିଲା ତରତର ।
କହିଲା, ପୁଅ ରେ ! ପାଖେ ରଖିଥିବୁ ବୁଜୁଳାଟି
ଭୋକରେ ରହିବୁ ନାଇଁ ଧନ,
ତୁ ଆସିଲାଯାଏ ଯାହା ଥିଲା ମୋର ହଜିଲାଟି ।
ତୋ ମୁହଁଟି ମୋର ଦରପଣ !
ବରଷ ବରଷ ବଳ ପଉରୁଷ ଏ ଜାତିର
ଖଟି ପରପଦେ ହେଲା ଜଡ଼
ଏ ଜାତି ଉଧେଇ ପାରୁନାହିଁ ଏଇ ସରକାର
କରି କି ପାରିବ ପ୍ରତିକାର ?
ଏ ଜାତିର ଦେବୀ ବାଣୀ-ବାଗ୍ଦେବୀ ସନାତନୀ
ବିଦାୟ-ବିରହ-ବିଦେଶରେ
ଛାଡ଼ି କି ରଚିବେ ନବୀନ ଯୁଗର ଆଗମନୀ
ନୂତନ ଜୀବନ ପରିସରେ ?
ମରଣଦୁଆରୁ ନେବ କି ବିଦାୟ ଏ ଓଡ଼ିଆ
ସଂଗ୍ରାମ ହେବ ତା’ର ସାଥୀ ?
ତୁଟିବ ପଥରେ ସେବା ଉପାସନା ପରକୀୟା
ଯିବ ଅପସରି ଅମାରାତି ?
[ସେପ୍ଟେମ୍ବର-୧୯୫୪]
ସୁଦୂର କୁମାରୀ ଫେନିଳ ସାଗରତଟେ
ଏଇ କାଲି କଥା ଚିତ୍ତ-ମୁକୁରେ ଉଠେ
ଗଣତନ୍ତ୍ରରେ ଲାଗିଲା ସମର ଘୋର -
କହି କି ପାରିବ କୋଚିନ୍-ଟ୍ରାଭାଙ୍କୋର !
କହି କି ପାରିବ ସେ ନାରୀକେଳର ଦେଶେ
ସମରେ ମାତିଲେ କେତେ ଦଳ କେତେ ବେଶେ
କମିଉନିଷ୍ଟ, ପରଜା-ସାମ୍ୟବାଦୀ
ସମାଧି ଦେବାକୁ କଂଗ୍ରେସୀ-କାରସାଦି ।
ଲାଗିଲା ସମର, ଜାଗିଲା ଜନତା ଭୋଟେ
ସନ୍ଦେହ ନାହିଁ ରହିଲା କାହାରି ମୋଟେ -
ଏଥର ବୁଡ଼ିବ କଂଗ୍ରେସ ରସାତଳେ
ସାରା ଭାରତରେ କୋଚିନ୍-ଟ୍ରାଭାଙ୍କୋରେ ।
ହାତେ ହାତେ ଫଳ ଫଳିଲା ଭୋଟରେ ଶେଷେ
ସାରା ଉପକୂଳ ଜାଗିଲା ସତେ ବା ରୋଷେ !
ଜିଣିଲେ ମିଳିତ, ଜିଣିଲେ ସାମ୍ୟବାଦୀ
କମିଉନିଷ୍ଟ ତୁଲେ ମଇତ୍ର ସାଧି ।
ପଡ଼ିଲା ଚହଳ ଆରବ ସାଗରତୀରେ
ବଙ୍ଗ ସାଗର ଚମକିଲା ଏକବାରେ ।
କୁମାରିକା ତୀରୁ ଶୁଭିଲା ହିମାଦ୍ରିରେ -
ଅଘଟ ଘଟଣ କୋଚିନ୍-ଟ୍ରାଭାଙ୍କୋରେ !
ହାୟ, ଏତେବେଳେ ଘଟିଲା ବିଷମ କାଣ୍ଡ
କିଏ ସେ ଧରିବ ସେ ଦେଶେ ଶାସନଦଣ୍ଡ ?
କଂଗ୍ରେସ କା’ରେ ବାନ୍ଧିବ ନାଇଁ ମେଣ୍ଟ
ଏଡ଼ିବ ମିଳିତ, ଏଡ଼ିବ କମିଉନିଷ୍ଟ ।
ଦୁର୍ବଳ ହେଲା କଂଗ୍ରେସ-ରାଜନୀତି
ଦିଲ୍ଲୀରେ ତେଣେ ଚମକେ ନେହେରୁ ଛାତି ।
ସଂଖ୍ୟାଲଘୁଏ କିମିତି ଚାଳିବେ ଦେଶ
ଗୋଲକଧନ୍ଦା ହେଲା ଆସି ପରବେଶ ।
ଶାସନ ଗଢ଼ିବ, ନାହିଁ କଂଗ୍ରେସେ ବଳ,
ନିର୍ବାଚନରେ ସଂଖ୍ୟା ନ୍ୟୂନ ତା’ର ।
ତଥାପି ତାହାର ଶାସନ-ଦଉଡ଼ି ଲୋଡ଼ା
ଠିକ୍ କରିନେଲା କାହା ତୁଲେ ହେବ ଯୋଡ଼ା ।
ଲୋକେ କରୁଥିଲେ ସନ୍ଦେହ ଯାହା ଥରେ -
ସେ କଥା ଘୋଟିଲା କୋଚିନ୍-ଟ୍ରାଭାଙ୍କୋରେ ।
ଇତିହାସ ସେଠି ପ୍ରମାଣ କରିଲା ଶେଷେ
ଘଟିଚି ସେ କଥା କାଳେ କାଳେ ଦେଶେ ଦେଶେ ।
ଜନତା ଭିତରେ ଯନ୍ତା ରୂପରେ ରହି
ଇତିହାସ କହେ - ଏଇ ଉତ୍କଳ ଭୂଇଁ
ପଛରୁ ଖାଇଲା ଶିଖି-ମନାଇଁର ଭୁସା
ମେଣ୍ଟିବା ପାଇଁ ଜୀବନେ କ୍ଷମତା-ତୃଷା !
ଏଇ ତଳ ଦିନେ ଶ୍ୱେତଦ୍ୱୀପ ତଳେ ବସି
ମାକ୍ଡୋନାଲ୍ଡ଼ ଶ୍ରମିକ ଦଳରୁ ଖସି
ନ୍ୟସ୍ତସ୍ୱାର୍ଥ ପତାକା ଉଡ଼ାଇ ପରା
ଶାସନ କରିଲେ ଏଇ ସସାଗରା ଧରା !
ମିଳିତ ଦଳର ମିଳିତ ଇସ୍ତାହାରେ
ଯାହା ଲେଖାଥିଲା କୋଚିନ୍-ଟ୍ରାଭାଙ୍କୋରେ,
ଓଲଟିଲା ତହିଁ ସମ୍ୟବାଦର ମତି
ଯୁଗେ ଯୁଗେ ଏ କି ‘ସାମ୍ୟବାଦୀ’ର ଗତି ?
କେତେ ଜନ୍ମ ଜନ୍ମାନ୍ତରେ କରିଥିଲି ତପ
ପୂଜିଥିଲି ବାଲୁକା-ଶଙ୍କରେ
ଜୀବନର ଯାତ୍ରାପଥେ ଦେଇନାଇଁ କେବେ
ଚରଣ ମୁଁ କଳୁଷ-ପଙ୍କରେ ।
ଶୁଖାଇ ତନୁରେ ଶତ ବ୍ରତ-ଉପବାସେ
କି କାମନା କରିଲି ଜାଗ୍ରତ
ଆଖିରେ ନ ଦେଖି ତୋତେ ଧରିଲି ରେ ଧନ
ପ୍ରାଣ ମୋର ହୁଏ କଣ୍ଠାଗ୍ରତ ।
ନିମିଷୁ ନିମିଷେ ପୁଣି ଦିବସୁ ଦିବସେ
କଲା ସ୍ୱପ୍ନ ଅନ୍ଧ ଏ ନୟନେ
ନ ଜାଣି କରିଚି କେତେ ବାହୁ ବିସ୍ଫାରିତ
କୋଳ କରି ଜାକିବାକୁ ଧନେ !
ନୀତି ଆଜି ଓଲଟିଛି, ଯୁକ୍ତି ପରାହତ
ମୁକ୍ତି ଆଜି ତେଜିବାରେ ତୋତେ
ସ୍ନେହ ପ୍ରୀତି ସୋହାଗର ସମାଧି ଗହ୍ୱରେ
ମାନବାତ୍ମା ଗତିକରେ ସତେ !
ଶୁଣିଚି ତର୍ପଣେ କେତେ ମନ୍ତ୍ର ହୁଏ ପଢ଼ା -
ଯେ ଆସିଚି, ଯେ ବା ଆସିନାହିଁ,
ଗର୍ଭେ ଥାଇ ଫେରିଚି ଯେ ଅତୃପ୍ତ ଆତ୍ମାରେ
ପିଣ୍ଡୋଦକ ତାରେ ଦେବାପାଇଁ ।
ଭୂତ ପ୍ରେତ, ଚରାଚର ସହସ୍ର ଆତ୍ମାରେ
ଡାକି ଯହିଁ ଚଳଇ ତର୍ପଣ
କ୍ଷୁଧାର୍ତ୍ତ ଦେଶରେ ଧନ, ଜନନୀ ହୋଇ ମୁଁ
ସେ ଉଦ୍ଦେଶ୍ୟେ କରୁଚି ଅର୍ପଣ ।
ପୁତ୍ର ଅବା କନ୍ୟା ତୁହି, ଦେବତାର ବର
ଘେନି ଶିରେ ଆସିଥିଲୁ ଧନ
ଆଜି ତୋର ଆଗମନ ନିଷିଦ୍ଧ ଏ ଦେଶେ,
ବଦଳିଛି ଆଇନ ବିଧାନ ।
ଡାକି ଦଶଦିଗପାଳେ, ଧର୍ମେ ରଖି ସାକ୍ଷୀ
ବିଦାୟ ମୁଁ ଦେଉଚି ତୋ’ ମାତ,
ପାପ ଯାହା ଅତୀତରେ ପୁଣ୍ୟ ପାଲଟିଛି,
ତେଣୁ ଆଜି କଲି ଗର୍ଭପାତ !
[ଜାନୁଆରୀ-୧୯୫୯]
କାହିଁ ଅଛ ତୁମେ ଭଗବାନ, ଶୁଣ ଶୁଣ,
ତୁମକୁ ଏ ମୋର ‘ନିଆଁଖୁଣ୍ଟା’ର ରାଣ
ଚାକିରି ନ ପାଇ ଏଇ ଯେ ଶୁଭଇ ପାଟି,
ଚାକିରି ଜୁଟେଇ କରିଦିଅ ସମାଧାନ !
ବହୁଦିନ ହେଲା ଯେମାନେ ବିଲରେ ଖଟି
ମାଟି ତୁଲେ ମିଶି ହୋଇଥିଲେ ଖାଲି ମାଟି
ବାହୁରେ, ଛାତିରେ, ପାଦେ ଅରଜିଲେ ବଳ
କିରାଣି ପାଇଁକି ଶୁଭେ ଖାଲି ଏବେ ପାଟି ।
ଭଗବାନ, ତୁମ ନାମେ ମୁଁ ଶିରିଣି ଦେବି,
ସକଳେ ସମାନ ସୁବିଧା ଦେବାକୁ ଭାବି,
ସରକାରର ଏ ଦପ୍ତରଖାନା ଭରି
ଉଦ୍ଧାର କର ଯେତେ ଏ ଚାକିରି-ଲୋଭୀ ।
ଭଗବାନ, ତୁମେ ଜାଣିଚ ସବୁରି କଥା
ପାଠଶାଠ ପଢ଼ି ନ ଥିଲେ ଏମାନେ ବୃଥା,
ନଥିଲେ ଚଉକି ଟେବୁଲ ପାଖରେ ବସି
ସେଥିପାଇଁ ଆଜି ବାଟେ ଘାଟେ ସେଇ କଥା ।
ଆହେ ଭଗବାନ, ତୁମକୁ ଜୁହାର କରେ
ଟେବୁଲ ଚଉକି ଅଛି ଯେ ଅଫିସ୍ ଘରେ
ସେ ଘର ସାହାଣମେଲା କରିଦିଅ ଆଜି
ଦଶଟାରୁ ଯାଇ ଫେରିବେ ଚାରିଟାବେଳେ ।
ଅଶୋକ-ବାହିନୀ ତୁଲେ ଯେ ଲଢ଼ିଲେ ରଣେ
ଖୋଜିବେ ଆଜି ସେ ବିରାଟ ଚାକିରି-ବଣେ-
‘ଡିସ୍ପେପ୍ସିଆ’ ପରମ ଶକ୍ତିଶାଳୀ
ବଳ କସାକସି କରିବେଟି ସେଇ ଥାନେ ।
କଥାଏ କହିବି କରୁଣାସାଗର ହରି !
ଦେଶରେ ’ଛନ୍ତି ଥୋକାଏ ନାରଦ ପରି
ଆପଣେ ସାଜିବା ପାଇଁ ଅତି ବଳବାନ
ଏ ଦଳୁ ଦେବେ ସେ ଥୋକାଏ କିରାଣି କରି ।
ଭଗବାନ, ତୁମେ ଏତିକି ଦିଅ ତ ଖଞ୍ଜି -
ପାଦେ ଚଟି ଦି’ଟା, ହାତରେ ଫାଇଲି ପାଞ୍ଜି
ଘର ଅଫିସକୁ ଅଫିସରୁ ଘରଯାଏଁ
ବୁଣାହେବ ଖାଲି ଦେଶରେ ବିବାଦ-ମଞ୍ଜି ।
ଦୋହାଇ ତୁମକୁ, ଭଗବାନ ଦୟାନିଧି
ଚାକିରି ବିତରି ତୋଟିକି ଦିଅ ହେ ରୋଧି
ଘୁଷ୍ ଦେଇ ଦେଇ ଥିଲେ ଯେ ବାହାରେ ରହି
ସେଇ ଘୁଷ୍ ପାଇଁ ଆଜି ସେଇ ପ୍ରତିବାଦୀ ।
ଭଗବାନ ! ତୁମେ ମରୁନ ଲାଜରେ ସଡ଼ି !
ତୁମରି ରାଇଜେ ବିରି ହେଲା ବରାଗୁଡ଼ି !!
ବୀରଯାକ ହେବେ କିରାଣିଖାନାର ଜୀବ,
ମରଦେ ଖୋଜିବେ ଏଣିକି ଶାଢ଼ୀ ଓ ଚୂଡ଼ି !!!
ସେ ଆଦି କାଳରେ ଫୁଲ ନଥିଲା ଏ ଗଛରେ,
କିଏ ତାକୁ ଜାଣ ସର୍ଜନା କଲା ପଛରେ ?
ଯାହା ଲାଗି ଫୁଲ ଫୁଟିଲା, ସେ ଜଣେ କିଶୋରୀ
ତାର ଇତିହାସ ଦେଇଚି ଜଗତ ବିସୋରି ।
ଲୋଚନ ତାହାର ଚଳଚଞ୍ଚଳ ଗତିରେ
ନିଜକୁ ଟେକିଲା ରବି, ଶଶି, ତାରା କତିରେ ।
ତା ଚାଲି ତୁଲକୁ ତୁଳିବାକୁ କିଛି ନଥିଲା
ଏଇଭଳି କେତେ ଦିବସ ରଜନୀ ବିତିଲା ।
ଅତି ସୁକୋମଳ ତାର କରତଳ ପରଶ
କେ ଗଢ଼ିପାରିବ ଲାଗିଲେ ବି ଶହେ ବରଷ ?
କୁଞ୍ଚିତ କଳା କବରୀଗୁଚ୍ଛ ତୁଲରେ
ତୁଳିବାକୁ ଧରାତଳେ କେ ନଥିଲା ଭୁଲରେ ।
ରୂପସାଗରର ଏଇ ଅନିନ୍ଦ୍ୟ ବାଳାରେ
ସୁର ଅପସରୀ ଦେଖିଲେ ପ୍ରଦୋଷ ବେଳାରେ ।
ଚାହିଁଲା ନାଇଁ ସେ, କହିଲା ନାଇଁ ସେ ବଚନ,
ପରୀଏ କରିଲେ ସେ ନିଶିରେ ମାୟା ରଚନ -
ରାତି ନ ପାହୁଣୁ ସେ ଦିନ ଧରଣୀ ବୁକୁରେ
ଦେଖାଦେଲେ ଆସି ତରୁ ପଲ୍ଲବ ମୁକୁରେ
ଗୋଟି ଗୋଟି ପରୀ, ଫୁଲ ଆବରଣେ ହସିଲେ
ସାରା ତରୁଲତା ପରୀମୟ ଖାଲି ଦିଶିଲେ !
ଫୁଲେ ଦେଖି ବାଳା ଲଜ୍ଜିତା ହୋଇ ବସିଲା
ବିଚାରେ ମଉନେ ଫୁଲ ଅବା ତାକୁ ହସିଲା !
ସେ ଆଦିଯୁଗର ଇତିହାସ ଫୁଲ ତୁଲରେ
ସେଇଦିନୁ ବାଳା ତୁଳନା ହୁଅଇ ଫୁଲରେ ।
[ଜୁନ୍-୧୯୫୯]
ଯିଏ ଡାହାଣୀ ବଇଦ ସିଏ,
ବହୁତ ଦିନେ କଥାଟା ଗଲା ଜଣା
ଡାହାଣୀ ହୋଇ ଲାଗିଲା ଯିଏ
ବଇଦ ହୋଇ ଛଡ଼ାଏ ଆଜି ସିନା !
ବଇଦ ଆଉ ଡାହାଣୀଟାର
ଏକଇ ଦେହେ ଏଇ ଯେ ହେଲା ମେଳ
ଏହାକୁ ତୁମେ ପାର କି କହି
ବୁଦ୍ଧ ନୀତି; ଶୁଦ୍ଧ ପଞ୍ଚଶୀଳ ?
ଏଇ ଯେ ଛୁରୀ, ଏଇ କାକୁଡ଼ି !
ସଭିଏଁ ୟା’ କୁ ପାରିବେ ନାଇଁ ବୁଝି
ଶୁଦ୍ଧ ମନେ ଚିନ୍ତା କର
ଏଇ କଥାଟା ଟିକିଏ ଆଖି ବୁଜି ।
ବୁଝାଉଥିଲା ସତ୍ୟ ଯେହୁ
ମିଥ୍ୟା ବିନା ନାଇଁ ତା କିଛି ଆଉ
ପ୍ରଶ୍ନ କଲେ ଉତ୍ତରଇ -
ବଜାରେ ପରା ମିଥ୍ୟାଟାର ଭାଉ !
ରକ୍ଷକଟା ଭକ୍ଷକ ଏ
ଏଇ କଥାରେ ସନ୍ଦେହ କି ଅଛି ?
ଯାହାଠୁ ଇଚ୍ଛା ତାହାଠୁ ବୁଝ
କଥାର ସାର ପାଇବ କିଛି କିଛି ।
ଢିଙ୍କି ଯେହୁ ହଲାର୍ ସେହୁ
ଏକଇ ଦେହେ ଦୁଇଟା କାରବାର
ତଫାତ୍ ଖାଲି ହାକିମ ଦୁଇ -
ଫାକ୍ଟାରୀ ଓ ଢିଙ୍କି ଅଫିସର୍ !
ବିରୋଧୀ କାଲି ବୁଝାଉଥିଲ -
ଦୁସ୍ମନ ଏ ସରକାରକୁ ଭାଙ୍ଗ
ଆଜି ତ ହେଲା କଳରେ ପଶି
ସେଇ ଯେ ପୁଣି ଦୁସ୍ମନର ସାଙ୍ଗ ।
ଯେଉଁଟା ଦେହ ସେଇଟା ରୋଗ
ପଡ଼ିଲା ଏବେ ଏତେ କାଳକେ ଜଣା
କର୍ମୀ ଯିଏ, କାଲିକି ନେତା,
ନ ଜାଣି ଲୋକ ହେଉଛି ବାଟବଣା !
[ଅକ୍ଟୋବର-୧୯୬୦]
ହେ ମୋର ପ୍ରାଚୀନ ବର୍ଷ, ନିଅ ହେ ବିଦାୟ
ତୁମରି ଉଦାର କୋଳେ କରିଚି ଆଦାୟ
କେତେ ଟି.ଏ. କେତେ ଡି.ଏ. କେତେ କେତେ ଭତ୍ତା
ଏବେ ବି ପାକେଟେ ଅନୁଭବେ ତୁମ ସତ୍ତା ।
ଜନଗଣ ମନ ଭୋଟ ଅଧିନାୟକ ମୁଁ,
ସୁବିପୁଳ ତୁମ କୋଳେ ଦିନେ ଭ୍ରମୁଁ ଭ୍ରମୁଁ
କାଲିର ଫକିର ହେଲି ଆଜି ଏ ରାଜନ
ଘେନ ଭକ୍ତି ନମସ୍କାର ହେ ଭକ୍ତିଭାଜନ !
ଭୁଲି କି ପାରିବି ଆଜି ହେ ପ୍ରାଚୀନ ବର୍ଷ,
ତୁମେ ପ୍ରଭୁ, ମୁଁ ରଇତ କରେ ଭାଗଚାଷ,
କରିଚି ଯା ଆହରଣ ଏ ମର-ଜନମେ
ତାର ପ୍ରତିଦାନେ ଆଜି ଶ୍ରୀଚରଣେ ନମେ ।
କରିଚ ‘ଡିଲର’ ମୋତେ, ଦେଇଚ ‘କମିଟି’
କରିଅଛ ସଭାପତି ଗଢ଼ିବାକୁ ପାର୍ଟି,
ଦେଇଚ ହେ ମୌନବ୍ରତ ଆସେମ୍ୱ୍ଲି ହଲ୍ରେ
ବାହୁକୁ ଦେଇଚ ବଳ ହାତ ଟେକିବାରେ !!
ଅଧରେ ଦେଇଚ ମୋରେ ସ୍ମିତହାସ ପରା
ହରିବାକୁ ବଚନରେ ପ୍ରାର୍ଥୀ ଦୁଃଖଭାରା
ଦେଇଚ ଖଦଡ଼ ରଖିବାକୁ ତ ଘୋଡ଼ାଇ
ଯେତେ ଗର୍ବ, ଅହମିକା, ବାସନା, ବଡ଼ାଇ ।
ତୁମେ ଯିବ, ତୁମ ଆଗେ ଏଇ ଯେ ଆସୁଚି
ଭବିଷ୍ୟ ନବୀନ ବର୍ଷ ଘେନି କର୍ମସୂଚୀ ।
ତୁମ ଆଶୀର୍ବାଦ ମୋରେ କହିଯାଅ ତା’ରେ
କଥାରେ ଚିଠିରେ ଅବା ରେଡିଓ ବେତାରେ ।
ତୁମ ପରି ହୁଅନ୍ତୁ ଏ ଉଦାର ମହାନ
ଜିଣିପାରେ ଯଥା ମୁହିଁ ଜନଗଣ ମନ ।
ତୁମ ସାର୍ଟିଫିକେଟ୍ରେ ହେଉ ମୋର ଜୟ
ହେ ମୋର ପ୍ରାଚୀନ ବର୍ଷ, ବିଦାୟ, ବିଦାୟ !
[ଜାନୁଆରୀ-୧୯୪୯]
ନାଆଁ ତାର ଅଟେ ଗଙ୍ଗା ବୈଦ୍ୟ
ଗାଆଁ ତାର ପଲ୍ଲୀ ଓଡ଼ିଶାରେ
ବୟସ ତା’ ଚାଳିଶିରୁ ଊଣା
ପଣ୍ଡିତ ସେ ଓଡ଼ିଆ ଭାଷାରେ ।
କାମ କରେ ଅତି ନିରଳସ
ଖାଲି ଚେରମୂଳ କାରବାର
ଯିଏ ମାଗେ ଦିଏ ଦାତାପରି
ବଟୁଆରୁ ଅଉଷଧ ତାର ।
ଡାକ ନାମ ଗଙ୍ଗା ବୈଦ୍ୟ ତାର
ଆଖପାଖ ଗାଆଁ ଦଶ ଖଣ୍ଡେ
ସକାଳରୁ ବେଳବୁଡ଼ ଯାଏ
ବେଳ ତାକୁ ନଥାଏ ତ ଦଣ୍ଡେ ।
ଲେହ, ରସ, ମୋଦକ, ବଟିକା
ସେ ବିରାଟ ବଟୁଆ ଭିତରେ
ଥାଏ ଭରା ପରସେବା ପାଇଁ
ଖରା, ବର୍ଷା, କାକର, ଶୀତରେ ।
ଗଙ୍ଗା ବୈଦ୍ୟ ଅତି ଜାଣିମାର
ନ ଜାଣେ କେ ତାକୁ ମଫସଲେ ?
ନୁହଇ ସେ ଧନରେ ଗରବୀ
ଅବା ଟଙ୍କା, ସୁନା, ରୂପା ବିଲେ ।
ଛଣ ଘର, ମାଟିର ତା’ ପିଣ୍ଡା
ଦି’ଚାରିଟା ଖଲ ଥାଏ ପଡ଼ି
କେଉଁଟାରେ ମକରଧ୍ୱଜ ବା
କେଉଁଟାରେ ଜୀରକାଦି ଧରି ।
ସେ ଦୁଆରେ ବୈଦ୍ୟ ଗଙ୍ଗାଧର
ହାତ ଦେଖି କରଇ ବିଚାର
କା’ର କଫ, ସର୍ଦ୍ଦି, ପାଣ୍ଡୁରୋଗ
କାହାର ବା ମାଲେରିଆ ଜ୍ୱର ।
ଦାନ୍ତଘିନା, ପେଟବଥା ପୁଣି
ଅଣ୍ଟାଧରା, ଅଥବା କାମଳ,
ଦୁଃଖୀ ରଙ୍କୀ ଦୀନ ଦରିଦ୍ରର
ସାହା ତହିଁ ବୈଦ୍ୟ ଗଙ୍ଗାଧର ।
ଗଙ୍ଗାଧର ଦୁର୍ବଳ-ଶରୀର
ମନ ତା’ର ପଥରରୁ ଟାଣ
ଥରି ଥରି ଦୁର୍ବଳ ହାତରେ
ଲେଖିଦିଏ ଦି’ଚାରି ପାଚନ ।
ଦିନକରେ ଦୁଇ-ଚାରି କୋଶ
ପାଞ୍ଚ-ସାତ ଗାଆଁ ବୁଲି ବୁଲି
ଗଙ୍ଗା ବୈଦ୍ୟ ଫେରଇ ରାତିକି
କାନ୍ଧେ ବହି ଅଉଷଧ ଝୁଲି ।
ବୈଦ୍ୟ ଗଙ୍ଗା ନୁହେଁ ଜଣକର
ଶହେ ଡାକ ଶହେ ମୁହୁଁ ଶୁଣେ
ଜାତି ଜ୍ଞାତି ଗ୍ରାମ ସୀମା ଡେଇଁ
ନାଆଁ ବାଜେ ବିଲ ପଦା ବଣେ ।
ଦିଏ ସିନା କଟୂ, ତିକ୍ତ, କଷା
ଆନ ଦେହୁଁ ରୋଗ ତଡ଼ିବାରେ
ସହେ ନାଇଁ କଟୂବାଣୀ କା’ର,
ସତ୍ୟେ ଜିଣେ ବହୁ ପାରିବାରେ !
ଗଙ୍ଗା ବୈଦ୍ୟ ଚାଲିଗଲେ କାଲି
ରାତି ପାହୁ ପଡ଼ିଲା ଚହଳ
ଯେ ଶୁଣିଲା କଲା ଆହା ଆହା,
କରିଲେ କେ ଆଖି ଛଳଛଳ ।
ସେଇ ଗାଆଁ, ସେଇ ରୋଗ ଅଛି,
ରୋଗୀ ଏବେ ଭାବେ ବେଳେବେଳେ-
ଏ ରୋଗ ତ ହୋଇନାଇଁ ଲୋପ
ଗଙ୍ଗା ବୈଦ୍ୟ ଚାଲିଗଲା ଦୂରେ !!
ଦୂରେ ଅବା ପଡ଼ିଥିବ ରୋଗୀ,
ଗଙ୍ଗା ବୈଦ୍ୟ ଦେଖୁଥିବ ହାତ
ଜାଣ କି କେ ଗଙ୍ଗା ବୈଦ୍ୟ ଗଲା
ପେଟପାଇଁ, ଖୋଜି ମୁଠେ ଭାତ ?
ଏଇ ଆମ ଗଣତନ୍ତ୍ର ଦେଶେ
ରୋଗୀ ମରେ, ମରେ କବିରାଜ,
ଏ ନିଦାନ କରି ପାରିବ କି
ଆମର ଏ ନବ ରାମ-ରାଜ୍ୟ ?
[ଜାନୁଆରୀ-୧୯୬୧]
ଜୀବନର ଦୀପେ ଆଜି ତେଲ ଯାଏ ସରି
ଭିକାରି ମାଗୁଚି ଭିକ ବୁଲି ଗଳି ଗଳି ।
କବି ମାଗେ କୃପାଭିକ୍ଷା ଶାସକର ପାଖେ -
ତୁମ କୃପା ବିନେ କେହ୍ନେ ମୁଁ କବିତା ଲେଖେ ?
କର୍ମୀ ମାଗେ ତୁମ ବିନା କର୍ମ ନାହିଁ ଦେବ,
କର୍ମ ପାଇଁ କିଏ ମୋତେ ଦରମାଟା ଦେବ ?
ମାଗେ ବକ୍ତା - ହେ ଦେବତା ନରଦେହଧାରୀ
ତୁମ ଗୁଣ ଗାଇବାକୁ କର ଅଧିକାରୀ ।
ତୁମରି ଆଲେଖ୍ୟ ଆଙ୍କିବାକୁ ଦେଲେ ବାଛି
କଳାକାର କହେ କଳା ମୋ ତୂଳୀରେ ଅଛି ।
ଥକି ନୃତ୍ୟକାର କହେ ଶିଥିଳ ଚରଣେ -
ତୁମେ ନ ଆସିଲ ନାହିଁ ନୃତ୍ୟ ରଙ୍ଗଭୂମେ ।
ଚାରିଆଡ଼େ ଭିକ୍ଷାବୃତ୍ତି, ମୁଁ କିପରି ବଞ୍ଚେ
ଭିକ ମାଗିବାକୁ ମୋର ସ୍ଥାନ ନାହିଁ ଇଞ୍ଚେ !
[ନଭେମ୍ବର-୧୯୫୮]
ବଜାଅ କାହାଳୀ, ବଜାଅ ଶଙ୍ଖ
ଏଇ ନୂଆବୋହୂ ଆଗରେ ଦେଖ,
ଅଳସ ଚରଣେ ‘ଅଞ୍ଚଳ’ ବାଳା
ଘରକୁ ତୁମର ଆସୁଚି ପରା !
ସହି ଗୋ ! ଏ ଯେ ନବଛଇଳୀ
ନିଅ ହାତ ଧରି ଦୀପାଳି ଜାଳି ।
ନୂଆ ଘର, ବର ଜାଣିନି କିଛି
ଲୁଚିଚି ନା ତାର ଗୋଡ଼ ଦିଶୁଚି !
ବଡ଼ ଲାଜକୁଳୀ ନ ପାରେ ଜାଣି
ଧରିଚି ଓଢ଼ଣା ହାତରେ ଟାଣି ।
ସଖି ଗୋ ! ଏ ଯେ ଆଇନବତୀ
ଜାଣି ନାଇଁ ପରା ଚୋରା-ପୀରତି !
ବାଟ ଜାଣେ ନାଇଁ, ପଡ଼ିବ ଝୁଣ୍ଟି
ଖାଲ କେଉଁଠି ବା ଢେପ କେଉଁଠି !
ଶାଶୁ-ନଣନ୍ଦରେ କରିବ ଘର
କିଏ ସେ ଆପଣା, କିଏ ସେ ପର !
ସଜନୀ ! ତୁମେ ନିଠୁର ନୋହି
ଚାଳିନେବ ଜଗି ଲବଣୀଦେହୀ !
ଘରେ ଅଛ ଯେତେ ଜାଆ, ନଣନ୍ଦ
କିଛି ବାଛିବନି ଭଲ ଓ ମନ୍ଦ ।
ଗାଆଁ ଟାଉଟର, କଳାବଜାରୀ,
ମକଦ୍ଦମପୁଅ ଦଶହଜାରୀ -
ମିତ ଗୋ ! କେତେ ଯୁଟିବେ ଆସି
ଲୁଟିବାକୁ ତାର ପୀରତିରାଶି !
ଶିରେ ଧଳା ଟୋପି, ହାତରେ ଝୁଲି
କେତେ ତ ଆସିବେ ଗାଆଁକୁ ବୁଲି ।
କେତେ ସେ ହୋଇବେ ଫୁସୁରୁଫାସ
ଅଙ୍ଗେ ମଣ୍ଡିଥିବେ ଖଦଡ଼ ବାସ !!
ମିତଣି ! ସେ ତ ବଡ଼ ବିଷମ
ନୀତିରେ ମାରିବେ କୁସୁମ-ବାଣ !
‘ଅଞ୍ଚଳ ଶାସନ’ ଅଞ୍ଚଳ ତଳେ
ଲୁଚକାଳି ଖେଳ ଖେଳିବେ ହେଳେ ।
ଭାବରେ ବଶ ସେ ଭାବରେ ବାଇ,
ଭୃଙ୍ଗ ଯେହ୍ନେ ମଧୁ ରସକୁ ଖାଇ,
ଦୂତି ଗୋ ! ଠାରି ନେତ୍ରପଥକୁ
ଠକି ନେବେ କହି ଜନ-ମତକୁ ।
ବାରାବାରି କରି କହୁଚି ସହି
ବାରକଥା କାନେ ଶୁଣିବ ନାଇଁ,
ବାରେ ବଂଶୀଧ୍ୱନି ପାଇଲେ ଭେଟ
ଏ ଘରେ ଚାଲିବ ଓଲଟା ନାଟ
ସହି ଗୋ ! ଥିବ ସାବଧାନରେ
ସରୁ କରିଦେବେ ମୋଟା ଧାନରେ !!!
ଏଇ ଯେ ଆସୁଚି ଅଞ୍ଚଳ-ବୋହୂ
ଅଞ୍ଚଳ ଉହାଡ଼େ ରଖିଚି ମହୁ !
ସେ ମହୁଲୋଭରେ ଭ୍ରମରଦଳ
ଲେଖି ମଥାପରେ ତ୍ରିଭଙ୍ଗ ଗାର
ନାନି ଗୋ ! କରି ଟଣାଓଟରା
ମନେ କରିନେବେ ଧରାକୁ ସରା !!!
[ଜାନୁଆରୀ-୧୯୫୫]
ମନେ କି ପଡୁଛି ତବ ଆହେ ଭଗବାନ !
ଦେଇଥିଲ କୁରୁକ୍ଷେତ୍ରେ ଏକଇ ‘ପ୍ରୋଗ୍ରାମ’ -
ସାଧୁ ଯେବେ ହେବ ନାଶ, ଧର୍ମ ହେବ ଅସ୍ତ
କରିବ ସେ କାଳେ ତୁମେ ଧରଣୀରେ ଗସ୍ତ ।
ତୁମେ ତ ଆସିଲ ନାଇଁ, ବିଚାରେ ମନରେ -
ଭଗବାନ କେବେ କଣ ଭୁଲ୍ କରିପାରେ ?
‘ପ୍ରୋଗ୍ରାମ’ ଦେଇ ଯେ ତୁମେ ନ ଆସିଲ ଜାଣି
ଏ କଥା କିମିତି ଭାବିବି ମୁଁ ଚକ୍ରପାଣି ?
ନରଦେହେ ନରହରି କରିଥିଲ ଲୀଳା
କେତେ ମାସ, କେତେ ବର୍ଷ, କେତେ ଯୁଗ ଗଲା !
ପାପୀ ବିଚାରଇ ତୁମେ ସବୁ ଗଲ ଭୁଲି
ବିଚାରଇ ପୁଣ୍ୟବନ୍ତ ଆସିବ ହେ କାଲି !
ଭାବେ ମୁହିଁ ‘ନିଆଁଖୁଣ୍ଟା’ ଲେଖିବାକୁ ଯାଇ -
ନରଦେହେ ନାରାୟଣ ତୁମେ ଭାବଗ୍ରାହୀ !
ଏକ ଦେହେ ନ ଆସି ହେ ଶତ ଦେହେ ଆସ
‘ପ୍ରୋଗ୍ରାମ’ ଦେଇଚ ତୁମେ ସାରା ବାର ମାସ !!
‘ପ୍ରୋଗ୍ରାମ’ ରେ ସାରା ଦେଶ ପଡୁଛି ଉଛୁଳି -
କାଲିକି ଆସିବେ ମନ୍ତ୍ରୀ ରଖ ଫୁଲ ତୋଳି,
ଦିଅ ଅଭିନନ୍ଦନ ହେ, କର ସ୍ତବଗାନ
ନୁହେଁ କି ଏ ତୁମ ଲୀଳା, ଆହେ ଭଗବାନ !
ତୁମେ ଆସ ଅଫିସର ରୂପେ ଗ୍ରାମେ ମ୍ରାମେ,
ଋଣ ବାଣ୍ଟ ତୁମେ ଋଣ-ପ୍ରଚାରକ ନାମେ ।
ବିହନ ବାଣ୍ଟୁଚ ତୁମେ କୃଷି ବିଭାଗରେ,
ଯୋଗାଣ ହାକିମ ତୁମେ ଦୋକାନ ଦୁଆରେ !
କାହିଁ ତୁମେ ‘ଡେପୁଟୀ’ ରେ ହୁଅ ପରକାଶ,
ଆଦ୍ୟାଶକ୍ତି ରୂପେ ହୁଅ ଇନ୍ସ୍ପେକ୍ଟ୍ରେସ୍ ।
ଜିଲାବୋର୍ଡ ଚେୟାରମ୍ୟାନ୍ ଭାବେ ଅବତରି
ସ୍ୱଳ୍ପ ଦରମାରେ ବାଣ୍ଟ ଶିକ୍ଷା ପ୍ରାଇମେରୀ ।
ତୁମେ ପ୍ରଭୁ ଗସ୍ତ କର ଏ ମହୀମଣ୍ଡଳେ
କେବେ ଏମ୍.ଏଲ୍.ଏ. ରୂପେ ଲାଟସଭା ଘରେ ।
ଚିନି, ମୁଗ, ଗୁଡ଼, ଛଣ, ଲେଉଟିଆ ଶାଗ
ସବୁ ରଖି ଗର୍ଭେ ତୁମେ ସପ୍ଳାଇ ବିଭାଗ ।
ହେ ମଙ୍ଗଳମୟ, ତବ ସ୍ୱରୂପ ପ୍ରକାଶେ
ଜନଗଣ ହିତେ ‘ଜନ-ମଙ୍ଗଳ ଅଫିସେ’ ।
ଖତ ଅଫିସର ରୂପେ ଖତ ବାଣ୍ଟ ବୁଲି
ଦିଅ ପ୍ରୌଢ଼ଶିକ୍ଷା ତୁମେ ଧରି ଜ୍ଞାନ-ଝୁଲି ।
ଭଗବାନ ! ଭୁଲିନାହିଁ ତୁମେ ତ ପ୍ରୋଗ୍ରାମ
ଏଇ ତ ଆସିଲ ଧରି ‘ସରପଞ୍ଚ’ ନାମ ।
ଗ୍ରାମେ ଗ୍ରାମେ ରାମରାଜ୍ୟ କରି ପ୍ରଚାରିତ
କରିବ ସହର ମଫସଲରେ ଚାଳିତ ।
[ଜାନୁଆରୀ-୧୯୫୦]
ତଳେ ଥାଇ ଆମେ କରୁଚୁ ନୃତ୍ୟ
ଜାଳୁଚୁ ଅଗ୍ନି, ବାଜୁଚି ବାଜା,
ପେଟ୍ରୋଲ ପୋଡୁ ଲିଟର୍ ଲିଟର୍
ମିଳୁଚି ଭତ୍ତା ଗସ୍ତ ନାମେ,
କାହାର କରୁଚ ସର୍ବନାଶ ହେ
କରୁଚ କାହାର ମେଜାଜ୍ ତାଜା
ବନ୍ୟା ମରୁଡ଼ି ମାରୀ ମେଲେରିଆ
ସବୁରି ପଛରେ ଆସିଲ ତୁମେ !
କି ଗୀତ ଲେଖିବି ଆଜି ଏତେବେଳେ
ତୁମ ନାମେ ଆହେ ପଙ୍ଗପାଳ !
ଘନନୀଳ ଏଇ ଗଗନ ପଥରେ
ଦଳ ଦଳ ହୋଇ ଚାଲିଚ ମାଡ଼ି,
ଧାନ ଖାଇ ଏତେ ଉପରେ ଉଡୁଚ
ହେଲା ଏ ଓଡ଼ିଶା-ରାଜ୍ୟ ପାଳ
ରକ୍ତ, ଧୂସର, ହରିତ ବର୍ଣ୍ଣେ
ତୁମ ଆଗମନ ଧାଡ଼ିକି ଧାଡ଼ି ।
ତୁମରି ଆଗରୁ ପଙ୍ଗପାଳ ହେ
ଓଡ଼ିଶା କପାଳେ ଦେଖିଚୁ କେତେ
ବାଟରେ ଘାଟରେ ଶାସନ-ପୀଠରେ
ଚରିଗଲେ ଖାଲି ଶିକାରୀଦଳ ।
ଏ ମହାରାଜ୍ୟ ଶୌର୍ଯ୍ୟ ବୀର୍ଯ୍ୟ
ମୂଳ କାଟିଦେଲେ ପଲକପାତେ
ନୂଆ ସଂସାର ଗଢ଼ି କି ପାରିବୁ
ଉଖାରି ଉଖାରି ଅଥଳ ତଳ ?
ଆମେ ହେଲୁ ପରା କେବଳ ଖାଦ୍ୟ
ଆଉମାନେ ସବୁ ଖାଦକଦଳ,
ଶଙ୍କାକାତର ଏ ମହାଜାତିର
ଅପମୃତ୍ୟୁରେ କେବଳ ଦାବୀ,
ଆମେ ଯେ ବାଦ୍ୟ, ସେମାନେ ବାଦକ
ସେଇମାନେ ପୁଣି ରାଜ୍ୟପାଳ,
ଏ ମଡ଼ା ଉପରେ ତୁମେ ଉଡ଼ିବୁଲ
ପଙ୍ଗପାଳ ହେ ! କି କଥା ଭାବି ?
[ନଭେମ୍ବର-୧୯୬୦]
ପଶ୍ଚିମ ସାଗରତୀରେ ଦିନେ ଯେବେ ଜାମ୍ବବତୀସୁତ
କ୍ଳାନ୍ତତନୁ, ଭ୍ରାନ୍ତମନ, ବିକଳାଙ୍ଗ ମହାବ୍ୟାଧିଗ୍ରସ୍ତ
ମୁକ୍ତିଆଶେ ବୁଲି ବୁଲି ଜମ୍ବୁଦ୍ୱୀପେ ଜୀବନସଂକଟେ
ଆଚରିଲେ ମହାତପ ଶେଷେ ଏଇ ମହୋଦଧିତଟେ !
ପ୍ରଚଣ୍ଡ ସେ ଖରାତାପେ କି ପାଇଲେ ମୃତ-ସଂଜୀବନୀ
ଅଙ୍କୁରିଲା ହସ୍ତ ପଦ, ସଞ୍ଚରିଲା ଜୀବନର ବାଣୀ,
ବାଜିଲା ଜଗତେ ଯଶ, ହେଲେ ଶାମ୍ବ ଖରାରେ ମୁକତ,
ଦ୍ୱାପରର ସେ କାହାଣୀ କଳିକାଳେ ଆଜି ସମାଗତ ।
ହୋଇଯାଏ ଖଣ୍ଡ ଖଣ୍ଡ ଏ ଉତ୍କଳ, ଅଙ୍ଗ ବିଗଳିତ,
ଗଳିତ ଏ ରାଜନୀତି, ବିଚଳିତ ଜନ-ସିନ୍ଧୁ ଚିତ୍ତ,
ତନୁ ମନ ଭାରାକ୍ରାନ୍ତ, ପଦଶ୍ରାନ୍ତ, ପଥପ୍ରାନ୍ତେ ବସି
କ୍ଷମତାର ରୋଗଗ୍ରସ୍ତ ନେତା ଡାକେ ଏତେବେଳେ ଆସି
ହେ ଖରା ! ହେ ରବିରଶ୍ମି ! ବୈଶାଖର ଜ୍ୱଳନ୍ତ ଅନଳ
ସାଗର ଉପାନ୍ତ ଭେଦି ଦୂରାନ୍ତର ବନ ଗିରିମାଳ
ଜାଳ ଜାଳ ! ମହାବ୍ୟାଧିଗ୍ରସ୍ତ ଡାକେ ଏତେବେଳେ ଦ୍ୱାରେ
ଫାଟିଛି ଦଳର ଛାତି, ଯକ୍ଷ୍ମା ଆଜି ପୂତିରକ୍ତ ଗାଳେ !
ସାମନ୍ତବାଦର ଆଜି ଚନ୍ଦ୍ରଶାଳା ପଡ଼ୁ ପଡ଼ୁ ଖସି
ଧନୀ ପୁଞ୍ଜିପତି ଦଳ ଉଠଲେଣି ନେବାକୁ ତା ଗ୍ରାସି !
ଭୂମିପୁତ୍ର ଡାକେ ବସି ହେ ଆକାଶପୁତ୍ର ଯାଅ କାହିଁ ?
ହେ ଖରା ! ଉଜ୍ଜଳ କର ପ୍ରାଚୀନ ଏ ଜାତିକି ବଞ୍ଚାଇ !
[ଫେବୃୟାରୀ - ୧୯୬୧]
ଏ ବର୍ଷଟା ନୁହେ ବନ୍ଧୁ, ୧୯୬୧ ସାଲ
ପୁରୁଣାର ପୂରାପୁରି ଜୀର୍ଣ୍ଣଦାଗ ଛାପ ଅଛି ଏଥି,
ଏ ବର୍ଷେ ମୁଁ ଯାହା ଦେଖେ ସବୁ ସେଇ ପୁରାତନ ଜାଲ
ଚାରିଆଡ଼େ ବିସ୍ତାରିତ, ସେ ଫାଇଲି, ସେଇ ମତିଗତି ।
ଚାରିଆଡ଼େ ଡ଼ାକ ଶୁଭେ ସେଇ ସ୍ୱର - ରଖ, ରଖ, ରଖ,
ସେଭଳି ଅଭୟ ବାଣୀ - ଭୟ ନାହିଁ, ଆମେ ଅଛୁ ପଛେ;
ଜୀବନର ଯାତ୍ରାପଥ ସେହିଭଳି ରୁଢ, ଅସଳଖ
ଅସହାୟ ସେହିଭଳି ବନ୍ୟା ଦେଖି ଉଠିଯାଏ ଗଛେ !!
ଏ ବର୍ଷଟା ନୁହେ ବନ୍ଧୁ, ୧୯୬୧ ସାଲ
ଓଡ଼ିଶାର ଚାରିସୀମା ସେଇଭଳି ଅନ୍ଧକାରମୟ,
ସେଇଭଳି ବିଧାନର ମନଭୁଲା ନବ-କୋଳାହଳ,
କଳଙ୍କିତ ପୁରାତନେ ରଙ୍ଗେଇବା ଏ ଯେ ଅଭିନୟ !
ଆଗ ନାରୀ ଅଭିନେତ୍ରୀ ପୁରୁଷର ଅଭିନୟ କରେ
ଉକୁଟିଯାଇଚି ରଙ୍ଗ ସେ ଜନର ଅପସରି ଯାଇ,
ନକଲି ନିଶରେ ଆଜି ପୁରୁଷତ୍ୱ ସଫା ଧରାପଡ଼େ
ସେ ସାଲର ଦମ୍ଭ ଆଜି ଏ ସାଲରେ ଅବଶେଷ ନାଇଁ ।
୧୯୫୧ ଆଜି ପୁଣି ଆସିଅଛି ଫେରି
ଭାଙ୍ଗ, ଗଢ଼, ନୂଆ କର, ଆଗପଛ ନ କରି ବିଚାର,
ପାଇପି, ଟାଇଲି ଘର, ଆଖୁକଳ ଏକା ଅଙ୍ଗେ ଧରି
୧୯୬୧ ନାମେ ଏ ଯେ ’୫୧ ସାଲ !!
[ଅଗଷ୍ଟ-୧୯୬୧]
ମୋ ଜାତିର ପିତୃଗଣ ! ଅପରପକ୍ଷରେ
କି ନେବ ତର୍ପଣ
ଦୁଃଖ-ସିନ୍ଧୁକୂଳେ ବସି ପାତ୍ରି ଦିଏ ଟେକି
ତୁମରି ସନ୍ତାନ ।
ତୁମରି ଦାୟାଦ ଏ ଯେ ଜାଣେନାହିଁ କିଛି
ତନ୍ତ୍ର ମନ୍ତ୍ର ଗୀତି
ଭୁଲିଛି ଏ ଆପଣାକୁ, ଭୁଲିଛି ଗୌରବ
ଜାତିର ସଂସ୍କୃତି ।
‘ପୁଣ୍ୟ ଏ ଉତ୍କଳ ଭୂମି’ କହିବାକୁ ଟାଣେ
ନାହିଁ କା’ର ଭାଷା
ସ୍ୱର୍ଗେ ବସି ଶୁଣୁଛ କି ମଧୁ, ଗୋପବନ୍ଧୁ
ହେ ବିପୁଳଯଶା !
ଭାଷାର ସମର ପରା ଲାଗିଅଛି ଆଜି
ସାରା ଭାରତରେ
ନିର୍ଯ୍ୟାତିତା ଏଇ ତୁମ ଭାଷା ସରସ୍ୱତୀ
ଶାସକ ହାତରେ !
ଆହେ ପିତୃ-ପିତାମହ, ପ୍ରପିତାମହ ହେ
ହୁଅ କର୍ଣ୍ଣଧାର
ତୁମରି କଣ୍ଠରୁ ବାଣୀ ଅରୂପ ସମ୍ଭାରେ
ଉଚ୍ଚାରଣ କର !
ପଥଭ୍ରାନ୍ତ ଭାଷାହୀନ ସନ୍ତାନ ଡ଼ାକୁଚି
ହୋଇ ପାତ୍ରି-ହସ୍ତ
କରୁଚି ତର୍ପଣ ବସି ତପ୍ତ ଶୋକାଶ୍ରୁରେ
ସମ୍ମୁଖେ ସୂର୍ଯାସ୍ତ !
[ସେପ୍ଟେମ୍ବର - ୧୯୬୧]
ଦିନେ ତ କହିନ ନେତା ବୋଲି ତୁମେ
ଯଦି ବା ନେଉଚ ଆଗକୁ ଚାଳି
ଏଇ ରାଜପଥ ବିଶାଳ ବୁକୁରେ
ଦିବସ ରଜନୀ ମୋଟର ଗାଡ଼ି ।
କାହିଁ ତୀରସମ ସରଳ ସରଣୀ,
ସର୍ପିଳ କାହିଁ ବିଷମ ପଥ
ଦୁର୍ଗମ ବନ କାନ୍ତାର ଭେଦି
ଚାଳ ତୁମେ ଗିରିବର୍ତ୍ତ୍ମେ ରଥ ।
ଫେରି ଚାହିଁବାକୁ ନାହିଁ ଅବସର,
ଲକ୍ଷ୍ୟ ତୁମର କେବଳ ଆଗେ
ବାନ୍ଧି ରଖିଚ ମନ ଚଇତନ
ବାହୁବଳ ତୁଲେ ସମାନ ଭାଗେ
ନେତା ବୋଲି ତୁମେ କହ ବା ନ କହ
ସନମାନ କିଏ ନ ଦେଉ ଜାଣି
ଦେଖୁଛି ଏ କବି ତୁମର ପଛରେ
କୁଟୀରବାସୀଠୁ ରଜା ଓ ରାଣୀ !
ତୁମରି ଲୋଚନ ପଲକପାତରେ
ଜୀବନର ମୂଲ ହେଉଚି ଗଣା
ଚାରିଆଡ଼େ ରଟେ ଖବର ବିଷମ
ତୁମେ ହେଲେ ଥରେ ପଥରେ ବଣା !
ବିଶାଳ, ପୃଥୁଳ, କ୍ଷୀଣ କୃଶୋଦର,
ଭୋଗୀ, ରୋଗୀ ଅବା ଭୂଦାନବାଲା
ଯେତେ ପଥଚାରୀ ତୁମରି ପଛରେ,
ତୁମେ ତ ହୋଇଚ ଏ ଆଗଚଲା ।
ତୁମେ ତ ଜାଣୁନ ତୁମ ପଛପଟେ
ଯାତ୍ରୀଗହଳ କି ସମାବେଶ
ଶୁଣୁନ ତରୁଣ ଗପ ବିନୋଦନ
ଦେଖୁନ ତରୁଣୀ ମୁଚୁକି ହସ ।
କ୍ଳାନ୍ତ ଶିଥିଳ ନୟନ-ଯୁଗଳ
ଅଧେ ଫେଇ କିଏ ଦେଉଚି ମୁଦି
ଆସିଚି ସେ ପରା ବିଚାରି କିଚିରି
ନେଇ ପ୍ରିୟା ହାତୁଁ ଖଡ଼ୁ ବା ମୁଦି ।
ଗାଆଁ ରାଜନୀତି ବଖାଣେ କିଏ ସେ
କାହା ହାତୁଁ ତଡ଼ା ଖାଇଚି ଘରେ,
ଗାଆଁ ଟାଉଟର ଉପଦେଶ ଶୁଣ
ଋଣ କରି ଆସି ମୋଟର ଚଢ଼େ ।
ତୁମରି ପଛରେ ଆହେ ଡ୍ରାଇଭର
ଯାତ୍ରୀଗହଳ, ଚାଲିଚି ଖେଳ
ଆଗୁ ଯେ ବସିଚି ଠିଆହେବା ଜନେ
ବୁଝାଉଚି ଖାଲି ‘ପଞ୍ଚଶୀଳ’ !
[ମାର୍ଚ୍ଚ-୧୯୫୯]
ରାଉରକେଲାରୁ ଆସି ଏକାମ୍ରକାନନେ
ଭୂଦାନୀଠୁ ବଳିଗଲ ପଦଯାତ୍ରୀ ତୁମେ !
ନାହିଁ ଘିଅ, ନାହିଁ ଦୁଧ, ନାହିଁ ଫଳରସ
ନାହିଁ ଚକିପେଷା ଅଟା କରିବାକୁ ଗ୍ରାସ ।
ପଛରେ ଚାଲିନି ଜିପ୍ ବହିବ ସାମଗ୍ରୀ
ଦିଏନି ତୁମକୁ କେହି ପଦଯାତ୍ରୀ ଡ଼ିଗ୍ରୀ ।
ନାହାନ୍ତି ଆଗୁଆ ଦଳ ବୁଲି ଗ୍ରାମେ ଗ୍ରାମେ
କରିବେ ପ୍ରଚାର ଯାଇ ତୁମ ଜୟଗାନେ ।
ମାଗୁନ ତ ଜମି ତୁମେ, ସର୍ବସ୍ୱ ଅଥବା
ଷୋଳ-ଉପଚାରେ ତିଳେ ଲୋଡ଼ୁନାହଁ ସେବା !
ପାଣ୍ଡିତ୍ୟ ତୁମର ନାହିଁ ପର ଉପଦେଶେ
ଦୀନତାର ଛବି ତୁମେ ଏ ଉତ୍କଳ ଦେଶେ !
ତୁମେ ତ ସଂକୀର୍ଣ୍ଣ ନୁହ ବିଶାଳ ଉତ୍କଳେ
ଭ୍ରମିଛ ଡ଼ୁଡ଼ୁମା ତଟୁଁ ହୀରାକୁଦ ତଳେ,
କାଟିଛ ପାହାଡ଼ କେତେ ସର୍ପିଳ ସରଣୀ,
ତଥାପି ଶୁଣୁନ କାହିଁ ଧନ୍ୟବାଦ ବାଣୀ ।
ହେବ ନାହିଁ ସ୍ମୃତିସ୍ତମ୍ଭ ତୁମ ନାମେ ଠିଆ
ଫଳକରେ ନାମ କାହିଁ ହେବ ନାହିଁ ଦିଆ ।
ମଣ୍ଡିବ ନାହିଁ ଏ ନାମ ପୃଷ୍ଠା ଇତିହାସେ !
ଅଜ୍ଞାତ ହେ, ଅବଜ୍ଞାତ ! ମର୍ତ୍ତ୍ୟ ପରବାସେ !
ନିଜ ବାସେ ବନ୍ଧୁ, ତୁମେ ଆଜି ପରବାସୀ,
ତୁମରେ ଖେଳନା କରି ଯେତେ ଛଦ୍ମବେଶୀ
ଖେଳୁଛନ୍ତି ସ୍ୱାର୍ଥାନ୍ୱେଷୀ ରାଜନୀତି ଖେଳ
ପଦଯାତ୍ରା, ଯାତ୍ରା ତବ ହେବ କି ସଫଳ ?
କରିଅଛି ଏ ଜାତିର ଆତ୍ମାବତରଣ
ତୁମରି ଏ ଶୀର୍ଣ୍ଣ ଅଙ୍ଗେ, କରି ବିଦୀରଣ
ଭେଦ ଏ ମାୟାର ବ୍ୟୁହ, ଭାଙ୍ଗ ଏ ଜଡ଼ତା,
ବାଜୁ ତବ ପଞ୍ଚଜନ୍ୟ ଗାଇ ଜୟଗାଥା ।
[ମାର୍ଚ୍ଚ-୧୯୫୯]
ମୁହିଁ ଯେବେ ହୋଇଥାନ୍ତି ପିଲା
ଷୋଳ ଅବା ସତର ବରଷ
ବେଣୀ ମୋର ହୋଇଥାନ୍ତା ଢିଲା
ଓଢ଼ଣାକୁ କରି ପରିହାସ ।
ମୁହିଁ ଯଦି ହୋଇଥାନ୍ତି ପିଲା
ନାଆଁ ଲେଖି ମଧୁ ଭବନରେ
ହୋଇଥାନ୍ତି ନୃତ୍ୟଗୀତଶୀଳା
ଖାଲି ନାରୀସଂଘ ସଦନରେ ।
ପିଲାକାଳ ଥିଲେ ମୋର ଏବେ
ପାଠ ମୁହିଁ ପଢ଼େ ବା ନ ପଢ଼େ
ଅଚିହ୍ନା ତ ନ ପାଆନ୍ତି ଲବେ
ବୁଲିଯିବା ପାଇଁ ଚାରିଆଡ଼େ ।
ଆଜି ଥିଲେ ସେ ବୟସ ମୋର
ଖାଲି ବସି ଶୁଣନ୍ତି କାନରେ,
ଏ ଅଧରେ ଲିପ୍ଷ୍ଟିକ୍ ବୋଳ
ଲୋଡ଼ିନ୍ତିନି କେବେ ଜୀବନରେ !
ଆଜି ଯଦି ହୋଇଥାନ୍ତି ପିଲା,
ଛିଡ଼ା ହୋଇ ଦରପଣ ପାଶେ
କହନ୍ତି - ମୁଁ ଦରପଣ ପରା
ଫୁଲ-ସଂଜ ଭ୍ରମଣ ସକାଶେ ।
ପିଲା ହୋଇଥିଲେ ଏବେ ମୁହିଁ
ଖାତିରି ମୁଁ ନ କରି କାହାରେ
ସଭା ସମିତିରେ ଛିଡ଼ାହୋଇ
କହନ୍ତି ମୁଁ ହଲାଇ ବାହାରେ ।
କହନ୍ତି ମୁଁ- ଯେତେ ଝିଅସବୁ
ଘରେ ରହି କର ଘରକାମ
ତୁମ ସ୍ୱାମୀ ବନେଇଲେ ବାବୁ
ତୁମେ ହେବ ତାଙ୍କର ପରମ ।
ବେଶବାସେ ନ ଦେଇ ନଜର
ଦେଶକଥା ବିଚାର ମନରେ
ଦେଶଟାକୁ ମଣ ଗୋ ନିଜର
ନାଚି ନାରୀସଂଘ ସଦନରେ ।
[ଫେବୃୟାରୀ-୧୯୫୬]
ଶତାବ୍ଦୀର ଶ୍ମଶାନ ହେ ଆଜି ଏଇ ଘନ ଅନ୍ଧକାରେ
ରୁଦ୍ଧ ଶତ ଇତିହାସ ତୁମ ବକ୍ଷେ ପାଷାଣ ଆକାରେ ।
ତୁମ ପ୍ରତି ଶିଳାଅଙ୍କେ ଅଙ୍କିତ ଯେ ଇତିହାସ ରେଖା
ତାତ୍ତ୍ୱିକ ନୟନତଳେ କେତେବେଳେ ହେବନାହିଁ ଦେଖା ?
ନିଷ୍ପନ୍ଦ ଏ ବୁକୁପରେ ଦେଖିଚ ତ କେତେ ରଣଲୀଳା
ନରରକ୍ତ-ପ୍ରବାହରେ ଦୟା ଯେବେ ରକ୍ତ ପାଲଟିଲା ।
ଉଠିଲା ତୋଷାଳୀ ଯେବେ ଖାରବେଳ ଜୟଗୀତି ପଢ଼ି
ସେ ଦିନୁ ରହିଚ ତୁମେ ସେଇ ଭଳି ମୂକସାକ୍ଷୀ ପରି !
ଆଜି ତ ଦେଖୁଚ ସେଠି ରଜା ନୁହେ ପ୍ରଜାର ପାଳକ,
ବିରାଜିତ ରାଜ୍ୟପାଳ ଚତୁର୍ଦ୍ଦିଗେ ଜାଳି ନୀଳାଲୋକ ।
ଉଦ୍ଭାସିତ ରାଜପଥ ଆଲୋକର ଅପୂର୍ବ ସମ୍ଭାରେ
ପୂରିଛି ଏକାମ୍ରବନ ସତେ ଅବା ଊର୍ବଶୀ-ରମ୍ଭାରେ ?
ଆଜି ସେ ପାଷାଣତଳ୍ପେ ଶୁଭ୍ରବସ୍ତ୍ର-କୁସୁମ-ଶୟନେ
ଚାହେଁ ଚତୁର୍ଦ୍ଦିଗେ କିଏ ବିସ୍ଫାରିତ ଚକିତ ନୟନେ ?
କଙ୍କରିଳ ରାଜପଥ ସରୀସୃପ ଶ୍ୱାପଦସଂକୁଳ
ଭୟ ନାହିଁ, ନାହିଁ ଚିନ୍ତା ସେ’ଟା ତାର ଅବା ମାତୃକୋଳ !
ଅରକ୍ଷ ସେ ଲୋକନେତ୍ରେ, ଅଜ୍ଞାତ ତା ଜନକ ଜନନୀ
କି ରକ୍ଷା-କବଚ ଦେଇ ଜଗିଥିଲେ ଅବା ଚକ୍ରପାଣି !
କୁମାରୀ ଗୋ ! ପ୍ରଣୟନୀ କା’ ର ତୁମେ ?
କିଏ ସେ ପାଷାଣ
ମାତୃସ୍ନେହ-ବନ୍ଧନରେ ନିମିଷକେ କରିଦେଲା ଛିନ୍ନ ?
ଯେ ଛବି ଦେଖିଲ ତୁମେ ଯୌବନର ତରଙ୍ଗମାଳାରେ
ଯେ ଦେଲା କୁସୁମମାଳା ତୁମରି ସେ କମ୍ପିତ ଗଳାରେ
ସେ ସ୍ୱପ୍ନ ଗଲା କି ତୁଟି, ମମତା କି ରହିଲା କେବଳ
ଶୁଆଇ ଏ ପଥପ୍ରାନ୍ତେ ଛାଡ଼ିଗଲେ ଶୂନ୍ୟ କରି କୋଳ ?
ମରମେ ବେଦନା ଧରି ଅତୀତର କେତେ ସ୍ମୃତି ଜାଲେ
ଘାରିହେଉଥିବ ଅବା ଯୁଗନେତ୍ର ଭରି ଅଶ୍ରୁଜଳେ !
ଆସିବ ସେ ଦିନ ଯେବେ ଏ କୁମାର ନବୀନ ବେଶରେ
ହେବ ପୁଣି ନାଗରିକ ଏଇ ଆମ ସ୍ୱାଧୀନ ଦେଶରେ !
ହୋଇପାରେ ଏ ସଚିବ, ଅବା କେବେ ଏଠି ରାଜ୍ୟପାଳ
ନଥିବ ତା ମନେ ଆଉ, ଏ ପଥ, ଏ ନୀଳାଲୋକମାଳ ।
ଦେବ କି ଗୋ ପରିଚୟ ସେତେବେଳେ ବୋଲି ତାର ମାତା
ମନରେ ଲୁଚାଇ ଖାଲି ତୁମର ଏ ବିସର୍ଜନ କଥା ?
[ଜାନୁୟାରୀ-୧୯୬୧]
ଘୋର ଅନାବୃଷ୍ଟି କାଳେ ଜଣାଗଲା ଚମ୍ପାବତୀପୁରେ
ନ ଆସିଲେ ଋଷ୍ୟଶୃଙ୍ଗ ଜଳବିନ୍ଦୁ ନ ପଡ଼ିବ ତଳେ ।
ତପୋରତ ମୁନି ମନ ଯେ ‘ଅମୋଘ ଅସ୍ତ୍ରେ’ ହେଲା କିଣା
ତା ନାମ ଜରତା ବେଶ୍ୟା, ଧରଣୀର ଶ୍ରେଷ୍ଠ ବାରାଙ୍ଗନା
ଯେବେ ଇନ୍ଦ୍ରାସନ ଲାଗି ଭସ୍ମାସୁର ରଚିଲା କୌଶଳ
ନେଇ ଶିବ ଆଶୀର୍ବାଦ ତ୍ରିଭୁବନ କଲା ଥରହର,
ନିଜେ ହାତେ ନିଜ ଶିର ଛୁଆଇଁ ସେ ‘ଅମୋଘ ଅସ୍ତ୍ର’ରେ
କଲେ ଶିବ ଭସ୍ମୀଭୂତ ଲେଖାଅଛି ପୁରାଣ-ଶାସ୍ତ୍ରରେ ।
ଦେଖିଛ ଅମୋଘ ଅସ୍ତ୍ର ? ଆଖିରେ ତା’ ଯାଏନାହିଁ ଦେଖା
ପେଷିଥିଲେ ଘୋରରଣେ କୁରୁକ୍ଷେତ୍ରେ ସବ୍ୟସାଚୀ-ସଖା ।
ଘୂରି ସେ କାଟିଲା ମୁଣ୍ଡ ନାମ ତାର ଚକ୍ର ସୁଦର୍ଶନ
‘ଧର୍ମ ସଂସ୍ଥାପନାର୍ଥାୟ’ କଲେ କୃଷ୍ଣ ମାୟା ପ୍ରବର୍ତ୍ତନ ।
ନାରୀର ଅମୋଘ ଅସ୍ତ୍ର ନୟନର ଜଳ ଛଳଛଳ,
ଶିଶୁର ସେ ଅସ୍ତ୍ର ପୁଣି ଅସହାୟ କ୍ରନ୍ଦନର ରୋଳ ।
କଟାକ୍ଷ କଟୁରୀ ଅସ୍ତ୍ର ବାରାଙ୍ଗନା ବଦନ-ମଣ୍ଡଳେ,
ଶ୍ରମିକର ଧର୍ମଘଟ ସେ ଅମୋଘ ଅସ୍ତ୍ର ମହୀତଳେ !
ଯଦୁକୁଳ-ନାଶକାଳେ ସେ ‘ଅମୋଘ ଅସ୍ତ୍ର’ କାଦମ୍ବରୀ
କୃଷ୍ଣସୁତ ଶାମ୍ବ ଗର୍ଭେ କଉଶଳେ ଲୌହପିଣ୍ଡ ପରି ।
ସେ ଯୁଗ ତ ନାଇଁ ଆଉ, ଆଜି ଏଇ କଳି କାରବାରେ
ଘୋର ରାଜନୀତି ରଣେ ଏକ ଦଳ ଆନ ଦଳେ ମାରେ !
କିବା ସେ ମାରଣ ଅସ୍ତ୍ର କି ‘ଅମୋଘ ଅସ୍ତ୍ର’ ତାର ନାମ ?
ଚଉଦ୍ୱାର ବସ୍ତ୍ର ଅବା କେଉଁଝର ଖଣି ଉନ୍ନୟନ !
ଆଦିବାସୀ ହାଣ୍ଡିଆ ବା ଭଦ୍ରଜନ ଅଶ୍ୱମାର୍କା ରସ
ଲଭିବେ ଉତ୍କଳଜନ ମାଡ଼ି ଆସୁ ଆସୁ ଜୁନ୍ମାସ ।
[ଅପ୍ରେଲ-୧୯୬୧]
ଓଡ଼ିଶାର ଯେତେ ରଖିଚ ରେଡ଼ିଓ ଶୁଣୁଚ ଯେ ବା
ବଜାର-ହାଟରେ ଜାଣୁଚ ଅବା
ହେଉଚି ସଭା
ସେଇ କଥା ଆଉ କହିବି କିବା ?
ସେଇ କଥା ଆଉ କହିବି ନାଇଁ ମୁଁ କବିତାଦେଇ
ପୁରୁଣା କଥାକୁ ଶୁଣିବା ପାଇଁ
ବରାଦ ନାଇଁ
ଏ ବର-ବଜାର ଗରମ ଥାଇ ।
ଓଡ଼ିଶାର ବର-ବଜାର ଭିତରେ ବଢ଼ିଚି ଦର
କନିଆ ପିତାକୁ ମିଳୁନି ବର
କି ହରବର,
ପାଲଟୁଚି ଘର ଗଗନ ଘୋର !
ଏଇ ତଳଦିନେ ଝିଅପାଇଁ ବର ଖୋଜିବା ଆଶେ
ଆମରି ଗାଆଁକୁ ଅଇଲେ ଶେଷେ
ଚଇତ ମାସେ
ଯାଜପୁରଆଡ଼ୁ ମଦନ ଦାସେ ।
ଆମରି ଗାଁର ମକଦ୍ଦମ ଘର ଜାଣିନ ତୁମେ
ବାନା ଉଡ଼ୁଥିଲା ତାଙ୍କରି ନାମେ
ଧନ ଓ ମାନେ,
ସବୁ ଲିଭିଗଲା ଅଳପ ଦିନେ ।
ସେଇ ବଡ଼ଘର ବଡ଼ ପୁଅ ହରି କଲେଜ ପଢ଼େ
ଡ଼େଇଁଲା ବାଇଶି ଏଇ ଆଷାଢ଼େ,
ତିଥିଟା ଗଡ଼େ
ବିବାହ ବାସର ଆଗକୁ ପଡ଼େ ।
ବଡ଼ ସୁଚତୁର ମକଦ୍ଦମ, ନାଆଁ ବଇଁଶୀଧର
ଦାସେ ଯେବେ ଖୋଜି ଅଇଲେ ବର
କହିଲେ-ମୋର
ଯଉତୁକ ଲୋଡ଼ା ହଜାର ବାର ।
କହିଲେ ଫିଟାଇ - ପୁଅଟେ ଗଢ଼ିବା କଠିନ କାମ,
ମୋ ନିଜ ବିଭାରେ କରିଚି ଋଣ
ତିନିଟାଶୂନ
ହଜାର ସାତରୁ ନୁହେ ତା କମ୍ ।
ଭଲରେ ମନ୍ଦରେ ତା ଲାଗି ଏଯାଏଁ ଖରଚ ଖାଲି,
ରୋଗ-ବଇରାଗ ସମ୍ଭାଳି ନେଲି,
କଲେଜ ଦେଲି,
ଯେତେ ଅସୁବିଧା ପାରିଲି ଠେଲି ।
ଶାଗ ଭାତ ଖାଲି ଦେଇନି ପୁଅରେ, ପାରିଚି ଦେଇ
ଦେଢ଼ଶ’ ଟଙ୍କାରେ କିଣିଚି ଗାଈ
ଦୁଧ ଓ ଦହି
ବରାଦ କରିଚି ତାହାରି ପାଇଁ ।
ତାହାରି ପାଇଁ କି ବଇଦ ନେଲେଣି ନଅଶ ନଉ
ହିସାବ କରିଲେ ହୋଇବ ଆଉ
ବଢ଼ିବ ଭାଉ
ବାକି ଲୁଗାପଟା ଚୁଲିକି ଯାଉ !
ଏ ବାଦେ ଶୁଣିନ ଆଉରି ଗୋଟାଏ ଜରୁରୀ କଥା
ଗୋଟେ ସାଇକେଲ ଦିଇଟା ଘଣ୍ଟା
କି ହଟହଟା
ହଜାଇଦେଲାଣି ଏଇ ହରିଟା !
ସବୁ କାଟିକୁଟି ଗୋଟାଏ ହିସାବ କରିଚି ମୋଟେ -
ଟଙ୍କା ଛାଡ଼ି ନୂଆ ସାଇକେଲଟେ
ଘଣ୍ଟାରୁ ପଟେ
ବିବାହ ଆଗରୁ ଯେପରି ଉଠେ ।
ତୁମେ ଯେବେ ଦେବ କହୁଚ ଏତକ, ହେଉ ଏ କଥା,
ମନରେ ଦେଉନି କିଛି ମୁଁ ବ୍ୟଥା
କନିଆ-ପିତା
ତୁମେ ହେବ, ମୁହିଁ ବର-କରତା ।
ଯାଜପୁର ଆଡ଼େ ପଡ଼ିଲା ଚହଳ, ଫେରିଲେ ଦାସେ
ଝିଅ ବାହାଘର ଅଶିଣ ମାସେ,
ଅନ୍ଧାର ଦିଶେ
କିମିତି ଚାଳିବେ ବୁଦ୍ଧି ନ ଆସେ ।
କୋଳର ସଙ୍ଖାଳି କୁଳକୁ ଦୁହିତା କନକମାଳି
ହୋଇଚି ସତର ବରଷ ପାରି
କହି ନ ପାରି
ଢାଳିଲା କେବଳ ନୟନୁ ବାରି ।
ତାହାରି ପାଇଁକି ବାପା ବିକୁଛନ୍ତି ଛ‘ମାଣ ବିଲ
ମାଆର ଗହଣା ହୋଇଚି ମୂଲ
ଦେଢ଼ ହଜାର
ଭରଣା ହୋଇବ ବିକିଲେ ଘର ।
ଯିଏ ବା ଶୁଣିଲେ କାନେ ହାତ ଦେଇ କହିଲା ଖାଲି-
ଦାସେ ଚାଲିଯିବେ ଏ ଗାଆଁ ଛାଡ଼ି
ବିବାହ ସାରି
ତୁଟିବ ଗାଆଁରୁ ଅଧିକ ଶିରୀ !
ଜାଣିବା-ଶୁଣିବା ଯେତେ ଲୋକ ଥିଲେ କରିଲେ ଛି ଛି,
କହିଲେ - ଆଉ କି ମହତ ଅଛି
ଏ କାଳେ କିଛି ?
ଟଙ୍କା ଦେଇ ବର-କିଣା ଚାଲିଛି !
ଏ ବର-ବଜାରେ ଦାମିକା ବର ସେ ତରୁଣ ହରି
ବେଦିରେ ନ ବସୁ ବାଜିଲା ତୂରୀ
ଗଳାକୁ ମାଳି
କରିନେବ ବୋଲି କନକମାଳି ।
ଚାରିଆଡ଼େ ଖାଲି ଜନସମାଗମ, ଉଛୁଳେ ପୁର
ଦେଲେ ହୁଳହୁଳି କାମିନୀକୁଳ,
ବରଷେ ଫୁଲ,
ପ୍ରଣୟ-ବେଦିରେ କାହିଁ ତା ମୂଲ ?
ଓଢ଼ଣା ଭିତରେ ରହିଥିଲା ଯିଏ ବଦନ ପୋତି
ଢାଳୁଥିଲା ଲୁହ ବିଦାରି ଛାତି -
କି ହେବ ଗତି
ହେଲେ ବାପ-ମାଆ ଗରିବ ଅତି !
କୁଳକୁ କାଳିମା ହେଲି କି ସତେ ମୁଁ, ଭାଜିଲା ଘର,
ଦେବି ଯାହା ଗଳେ ବରଣମାଳ
କରିଲେ ବର,
ମୁଁ ହେଲି ଆପଣା, ଏ ହେଲେ ପର !
ଏକାଳେ ଶୁଭିଲା ମୁକୁଟ ତଳରୁ କାହାର ବାଣୀ -
ବାପା ମୋର ସେବେ ନଥିଲେ ଜାଣି,
ରେଡ଼ିଓ ଆଣି
ନ ଦେଲେ ଧରିବି ନାହିଁ ଏ ପାଣି !
ହାୟ ! ସେ ଭିତରେ ବଜ୍ର ପଡ଼ିଲା ବୁକୁରେ କା’ର
ଆତ୍ମା ଥରିଲା ଓଢ଼ଣାଟାର
ଶୁଭିଲା ସ୍ୱର
ଜାଣୁଚି ତମେ ତ ‘ରେଡ଼ିଓ-ବର’ !
ଝାଳ-ଗମଗମ ବଦନ ଉଠିଲା କାହାର ଅବା
ଚମକି ପଡ଼ିଲା ବରଣ ସଭା,
ଅଧରଜବା
କହିଲା - ଏଇ କି ରେଡ଼ିଓ-ବିଭା ?
ବାପା ଘରବାଡ଼ି ବିକିଲେ ଯାହାର ବରଣପାଇଁ
ମୋ ଯିବା ବାସିକି ତୋରାଣି ନାଇଁ
ଆଉରି ତହିଁ
ରେଡ଼ିଓ ଲାଗି ସେ ହୋଇବେ ଦାୟୀ ?
ପୁର ଜନପଦ ହଲଚଲ ହେଲା ସେଦିନ ସେଠି
ବର ଠିଆହେଲା ବେଦିରୁ ଉଠି,
ଆଉ କେଉଁଠି
କନିଆ ମିଳିବ ଚାଲିଲା ଚିଠି ।
[ମେ-୧୯୫୧]
ପୁସ୍ତକ ଡାକି କହେ- ହେ ପାଠକ, ଗ୍ରାହକ ମୋର
ଭିତର ଖୋଲ
ଲେଖନୀ ମୁନର କର କି ମୂଲ !
ପଇସା ଦେଲ !
ଶସ୍ତା ଆଜି ଏ ଛାପଖାନା ତଳେ ବେପାର ଚାଲେ
ଦୋକାନ ତଳେ,
ଭାଷା ତୁଲେ ନାହିଁ ଛନ୍ଦ ମିଳେ
ଭାବନା ଭୁଲେ !!
ସଭ୍ୟତା ଆଜି ମଲାଟ ଉପରେ ଚାଲିଚି ଖାଲି,
ଯାଉଛ ଭୁଲି
ରଙ୍ଗୀନ ଛବି କାଗଜ ମେଲି
ଦେଖୁଛ ବୋଲି ?
ଭୂଷଣପ୍ରଧାନ ବେଶ ପରିଧାନ ସନ୍ଥ ଜନ
ଯାହାରେ ମଣ
ଭିତରୁ କି ତାର ବଚନ ଶୁଣ
ଉଖାରି ଗୁଣ ?
ପରିଧାନ ତଳ ଚୋର ତସ୍କର ବିଷମ ଅତି
ଓଲଟା ରୀତି,
ବାହାର ଦିବସ ଭିତର ରାତି
ନକଲି ଯତି !
ସଭ୍ୟତା ଆଜି ଚାଲିଛି ଦେଶରେ ବେଶରେ ସାଜି
ପକାଇ ବାଜି
ନୀତ, ସମ୍ମାନ ଯାଉଛି ଭାଜି
କାଲି କି ଆଜି ।
ସ୍ୱାଦ-ଗନ୍ଧର ନକଲି ବେପାର ଏଇଠି ଚଳେ
ମଲାଟ ତଳେ,
ଦେଖି ପାରୁଥିବ ଏ ଉତ୍କଳେ,
ବାହାରେ, ଘରେ ।
ତେଲରେ ଅଗରା ପଡ଼ିଲେବି ଧରା ଯାଉଛି ମିଳି,
ଚିନିରେ ବାଲି;
ଚୋରି, ଦୁର୍ନୀତି କି କୋଳାକୋଳି
ଲୋକ ଢାଳି !!
ମହାକାଳ ଫଳ ବାହାର ରୁଚିର, ଭିତର ତାର
କି ନାରଖାର !
ମଲାଟ ଉପରେ ଚାଲିଛି ଖେଳ
ଏ କାରବାର ।
[ଜୁନ୍୧୯୬୧]
ବସିଛନ୍ତି ବିଚାରକ ନ୍ୟାୟାସନେ ଗମ୍ଭୀର ବଦନେ,
ଆନ୍ଦୋଳିତ ଜନ-ସିନ୍ଧୁ, ଗୃହକୋଣେ ଉଭା ଅଭିଯୁକ୍ତ ।
ଅଧର କମ୍ପିତ ତାର, କିବା କଥା ବିଚାରଇ ମନେ,
ଛଳଛଳ ନେତ୍ରଯୁଗ କରିଦିଏ ଛିନ୍ନବାସ ସିକ୍ତ ।
ଉଡ଼ୁଛି ପତାକା ଦୂରେ ସତ୍ୟ-ନ୍ୟାୟ-ଶାନ୍ତିର ପ୍ରତୀକ,
ବେଳେବେଳେ ଦମକାଏ କାହୁଁ ଆସି ବାତ ବିଚଳିତ
ଦିଏ ବା ସୂଚାଇ - ଏ ଯେ ଅଭିନୟ ବିଚାର ଅଳୀକ
ଭାଗ୍ୟ ଆଉ ଭଗବାନ ମଝିରେ କେ କରେ ଅଶ୍ରୁପାତ !
ଘରେ ତା’ର ପାଞ୍ଚ ପ୍ରାଣୀ-ପୁତ୍ର, କନ୍ୟା, ପତ୍ନୀ ଓ ଜନନୀ
ଲାଗିନାହିଁ ଚୁଲି ପରା ତିନି ଦିନ ତିନି ରାତି ତହିଁ !
କହିଲା କେ ଅଶ୍ରୁ ଢ଼ାଳି - ଚୋରି କରି ତୁମେ କି ଜାଣନି
ନୋହିଲେ କି ଜଳ, ଅଗ୍ନି, ସମୀରଣ ସାହା ହେବେ ନାଇଁ !
କୂଅକୁ ଚାହିଁଲା ବସି - କି ଗଭୀର ! ପାଉନାଇଁ ଆଖି,
ନିଆଁ ଜାଳି ଦେଖିଲା ସେ ପାଞ୍ଚପ୍ରାଣୀ ହୋଇବେ ଅନାଥ,
ପାଖେ ତା’ ଦ୍ୱିତଳ ହର୍ମ୍ୟ, ସେ କଥାଟା ଖାଲି ଥିଲା ବାକି
କରିଲା ସେ ଯା ଚୋରି, ଭିକ୍ଷାପାଇଁ ପାତିସାରି ହାତ ।
ଚୋର ଆଜି ସାଧୁବାବୁ, ବିଧୁବାବୁ, ଚୋର ବିଶ୍ୱନାଥ;
ଚୋର ଆଜି କଣ୍ଟ୍ରାକ୍ଟର, ଚୋର ଆଜି ପ୍ରଚାରକଦଳ ।
ଚୋରି କରେ ମନ୍ତ୍ରୀ ଆଜି ଆବରଣ ଦେଇ ଶାନ୍ତି, ସତ୍ୟ
ଶିଖିବାକୁ ଚୋରିବିଦ୍ୟା ଲୋଡ଼ା ଖାଲି ସାମାନ୍ୟ କୌଶଳ ।
ପାଇ ସେ ନଥିଲା ଟ୍ରେନିଂ, ତେଣୁ ଆଜି ପଡ଼ିଗଲା ଧରା
ନେଇନାହିଁ ହାର କାଟି, ହାରେ ହାତ ଯାଇଛି ତା କଟି,
ଚତୁର୍ଦ୍ଦିଗେ ଏଇ କଥା - ଭଦ୍ରଲୋକ ଶେଷେ ଚୋରିକଲା !
ହାତରେ ତା ହ୍ୟାଣ୍ଡକପ୍, ହଉଡ଼ିରେ ବନ୍ଧା ଅଛି କଟୀ !!
ଟେକି ସେ ଆନତ ମୁଖେ ଭିତ୍ତିପୃଷ୍ଠେ ଚାହିଁଲା ନିମିଷେ,
କାହାକୁ କହିଲା କଥା, ସେ ଅବା ବୁଝିଲା ଅନ୍ତରେ-
ବୁଢ଼ିଆଣୀ ଜାଲେ ଘେରା ଯେ ଛବିଟା ଏଇ ଆଗେ ଦିଶେ ।
ହେ ହାକିମ ! ସଫା କର, ସତକଥା ସେଇ କହିପାରେ !
ଫେରିଲା ସକଳ ଦୃଷ୍ଟି - ସେ ଛବିଟା ଆଖି ଅଧେ ବୁଜି
ଉଭାଅଛି, ଦକ୍ଷ କରେ ଦେଇ ବିଶ୍ୱେ ଅଭୟ ସାନ୍ତ୍ୱନା ।
ଦରିଦ୍ରର ସାଥୀ ସେ ଯେ, ଜନତାର ପ୍ରାଣର ‘ବାପୁଜୀ’
ତାହାରି ଆହ୍ୱାନେ ଦିନେ ହୋଇଥିଲା ଏ ‘ବାନରସେନା’ !!
[ଡ଼ିସେମ୍ବର-୧୯୬୧]
ବନ୍ଦ କର ଭକ୍ତ ଆଜି ଶଙ୍ଖ ବଜାଅ ନାହିଁ
ଏଇ ଗାଆଁର କୁଟୀରେ ଏକ ଶଙ୍ଖ ବାଜଇ ତେଣେ,
ପଥର-ଗୋଡ଼ି-ଚୂନରେ ଗଢ଼ା ଦେଉଳେ କିଏ ନାଇଁ,
ଦେବତା ଯେବେ ଦେଖିବ ଚାଲ ଗରିବ-ନାରାୟଣେ ।
ଦୁଆରେ ତାର ରହିଚି ଖୋଲା, ଭକ୍ତ ନାଇଁ କେହି
ଆଳତୀ ଦୀପ ଜଳୁନି ତହିଁ ଜଣକ ହାତେ ହେଲେ,
ବେଦନା ଖାଲି ବାଦୁଡ଼ି ସମ ବକ୍ଷେ ଦକା ଦେଇ
ଅନ୍ଧକାରେ ସେଇ ଦେଉଳେ ଚକ୍ର ସମ ବୁଲେ ।
ପ୍ରସାଦ ପାଣି ଆଖିର ଲୁହ ନିଗିଡ଼ିପଡ଼େ ତହିଁ
ପଦିଏ କଥା ‘କରୁଚି ଭୋକ’ ଅନ୍ତରରେ ବାଣୀ,
ଭକ୍ତର ଏ ପ୍ରାର୍ଥନା ବା ଉଠଇ ରହି ରହି-
ଏଇଠି ନାଇଁ ସେଇଠି ଶୁଣ ଦେବତା ପାଶେ ଯାଇ ।
ବନ୍ଦ କର ଭକ୍ତ ଆଜି, ଶଙ୍ଖ ବଜାଅ ନାଇଁ
ଗୋଟିଏ ନୁହେ, କୋଟିଏ ଆଜି ଦେଉଳ ଅଛି ଦେଶେ,
ସେଇ ଦୁଆରେ ବନ୍ଧୁ, ତୁମେ ଭକ୍ତ ହୁଅ ଯାଇ
ସେଇ ପୀଡ଼ିତ-ଆତ୍ମା ଦେବ ଦେଖା ଦେବତାବେଶେ ।
[ନଭେମ୍ବର-୧୯୫୮]
ରିପୋର୍ଟ ଲେଖି
ଗୋଟିଏ ବୋଲି ମୁଁ ମନେ ମନେ କେବେ ପାରୁନି ଦେଖି
ଏଇ ମନେପଡ଼େ ଗାଆଁ ବଟତଳେ
ଅଳସ ଚରଣ କଳସୀ କାଖରେ
ସେହି ଅଛି ମୋର ପାଖରେ ପାଖରେ ସେକାଳ ସଖୀ,
କିମିତି ଛାଡ଼ିବି ରିପୋର୍ଟ ଲେଖି ?
ଚାକିରି କରି
କିମିତି ଲେଖିବି କରିନାହିଁ ପର ପୀରତି ଚୋରି ?
ଦିନେ ଗାଇ ମନେ ଗୀତି-କବିତାରେ
ଫେରି ଚାହୁଁଥିଲା କଲେଜ ହତାରେ,
ପଢ଼ାସାରି ଯେବେ ଫେରୁଥିଲି ତାର ଫଟୋଟି ଧରି,
କି ଭଳି ଲେଖିବି ବାରଣ କରି ?
ପାସୋରି ନାହିଁ
ପ୍ରଣୟ-ବେଦିରେ ସେଦିନ ପୂଜିଲି ଯାହାକୁ ନେଇ ।
ହୁଏତ ତା ନାଆଁ ଚାମେଲୀ, ସନ୍ଧ୍ୟା
ମଧୁ-ହାସମୟୀ, ଚିର ଅନିନ୍ଦ୍ୟା,
ହଷ୍ଟେଲ ତଳ ସବୁଜ ଘାସର ପରଶ ପାଇ
କେତେ ଅପେକ୍ଷା ତାହାରି ପାଇଁ !
ଚାକିରି ଆଶେ
କିମିତି କହିବି ଗୋଟାଏ ତାରକା ଜୀବନାକାଶେ ?
ଗୋଟିଏ କୁସୁମ ଚିତ୍ତ-ତରୁରେ,
ଏକଇ ବିନ୍ଦୁ ଜୀବନ-ମରୁରେ
କିଭଳି ଆଜି ମୁଁ ମିଥ୍ୟା କହିବି ଜଗତ ପାଶେ
ବହୁବଚନରେ ପ୍ରଣୟ ଫାଶେ ?
[ଜୁଲାଇ-୧୯୫୫]
ଖବରକାଗଜେ ନିତି ଚାଲେ ଫଟୋ-ଚାଷ-
ପିନ୍ଧି ପାଇଜାମା, ଅଙ୍ଗି ଶୁଭ୍ର ବେଶବାସ
କାହିଁ ମହାମାନ୍ୟବର ଧାରିଛନ୍ତି ହଳ
ଘେରିଚନ୍ତି ଚଉପାଶେ ସ୍ତୁତିବାଦୀ ଦଳ ।
ଉଠିଛନ୍ତି କାହିଁ ମନ୍ତ୍ରୀ ଟ୍ରାକ୍ଟର ବକ୍ଷରେ,
ଫଟୋତଳେ ଲେଖାଅଛି ବିରାଟ ଅକ୍ଷରେ-
ଦୁର୍ଗତିର ଶେଷ ଆଜି, ଶୁଭ ସମାଗତ
ଦେଲେ ଯେଣୁ ମାନ୍ୟବର ଲଙ୍ଗଳରେ ହାତ !
ଆପାଦମସ୍ତକ ବସ୍ତ୍ରେ ହୋଇ ସମାଚ୍ଛନ୍ନ
ବସ୍ତ୍ରହୀନ ଜନେ ଦେବାପାଇଁ ଶିକ୍ଷାଦାନ
କରୁଚନ୍ତି ଧାନଚାଷ ଅଫିସରବର
ପ୍ରଚାରିତ ଫଟୋ-ଯନ୍ତ୍ରେ ଦେଶେ ଏ ଖବର ।
ଥାଉ ବା ନ ଥାଉ କ୍ଷେତ୍ରେ ଫସଲର ସତ୍ତା
ଫଟେ ପ୍ରଚାରିତ ହୁଏ ଫସଲବାରତା,
ଫାଇଲିରେ ହୁଏ ଜମା, ମହଣ ମହଣ
ମାଣ୍ଡିଆ , ଗହମ, ବିରି, ଯବ, ମକା, ଧାନ ।
ଫଟୋରେ ଫସଲ ଫଳେ, ଗଛେ ଫୁଟେ ଫୁଲ
ଚମତ୍କୃତ ହୁଏ ଦେଖି ଦୂର ମଫସଲ ।
‘‘ଗ୍ରୋ ମୋର୍ଫୁଡ଼୍’’ ହୁଏ କେବଳ ଫଟୋରେ
ଦେଇ ‘ଆଶା-ବୈତରଣୀ’ ଭୋକିଲା ଭୋଟରେ ।
ଜମିହୀନ ଜନେ ଦିଏ ଆଶାର ବାରତା,
ଜମି ବୋଲି ନାହିଁ ଯା’ର ଜଗତରେ ସତ୍ତା
ହେବ ସେହୁ ଜମିଦାର ବାକସ-ଚାଷରେ
ଚାଲେ ଫଟୋ-ଚାଷ ଆଜି ଏ ସାରା ଦେଶରେ !
[ଅଗଷ୍ଟ-୧୯୪୯]
ଘର ପରିବାର ଘନ ବନ-ତଳେ ରହି
ଆମେ ଯେ ଫୁଟୁଚୁ ସଙ୍ଗିନୀ, ସଖୀ, ସହି,
ଯୁଗ-ଯୁଗଧରି ଝଡ଼ୁଚୁ ସେ ବନତଳେ
ପୁରୁଷ-ଝଞ୍ଜାମାଡ଼େ ।
ନିଠୁର ପୁରୁଷ ବନ୍ଦନା-ଗୀତି ଗାଏ-
ଅୟି ସୁହାସିନି, ଅୟି ଜବାଧରି, ପ୍ରିୟେ,
ହାରେମ୍ ଭିତରେ ଆମରି କବରୀ ତଳେ
ପ୍ରଣୟ-ପ୍ରଦୀପ ଜଳେ ।
ନ ଛୁଉଁ ଅଧରେ ବିକଚ କମଳ ଆଭା,
ବଦନ ନ ଛୁଉଁ ରାକା ଶଶଧର ଶୋଭା,
ନ ଛୁଉଁ ଚରଣେ ସରଳ ମରାଳଗତି,
ନ ଫୁଟୁ କିଶୋରୀ ଛାତି ।
ନ ଉଠୁଁ କିଶୋରୀ ହାସ୍ୟ ତରଳ ଖେଳ
ନ ଲୋଡ଼ୁ ଆମର ବାହୁ ଆନ ବାହୁତଳ,
ପରଦା ଭିତରେ ପୁରୁଷ ରଖିଚି ଜାଣି
ବୋଲି ତା କୁଟୀର-ରାଣୀ !
କରିଚି ଆମକୁ ବନ୍ଦିନୀ ନରଜାତି,
ଆହେ ଚଉଧୁରୀ, ଆହେ ବୀର ସେନାପତି,
ପୁର-ବନ୍ଧନେ ନିଜାମ ଭୁବନ ତଳେ
ଅବଳା ଅଶ୍ରୁ ଝରେ ।
ମୁକ୍ତ କର ହେ, ମୁକ୍ତ କର ହେ ବୀର,
ଉନ୍ନତ ହେଉ ଚିର ଅବନତ ଶିର ।
ବଜାରେ, ହାଟରେ ହଜାର ବରଷ ପରେ
ଆମେ ଜାଗୁ ଆଉ ଥରେ ।
ଚୂର୍ଣ୍ଣିତ କର ହାରେମ୍-ପ୍ରାଚୀର ଏଇ,
ପୁରୁଷର ଭୋଗ-କାମନା-ଲାଳସା ନେଇ
ଆଉ କେତେ କାଳ ଶିକାର ହୋଇବ ନାରୀ ?
ଆହେ ବୀର ଚଉଧୁରୀ !
ଏଇ ନରଜାତି ତସ୍କରଗିରି କରି
କରିଚି ଆମର ବନ୍ଦନ-ଚନ୍ଦ୍ର ଚୋରି,
ପାନ କରି ଆମ ଅଧର ପୀୟୁଷରସ
ଅପହରି ଆମ ହାସ,
ଲେଖିଚି ଯେତେ ଏ କାବ୍ୟ କବିତା ଗୀତି,
ରସାଣିଚି ତହିଁ ଆମରି ସୋହାଗ ପ୍ରୀତି,
ଆମରି ବିରହେ ଆପଣାକୁ କରି ବଡ଼
ବୋଲାଇଚି ପାରିବାର !
ପୀରତି-ସାଗରେ ଆମକୁ ତରଣୀ ରଚି
ଇନ୍ଦ୍ର ବୋଲାଏ କରି ସେ ଆମକୁ ଶଚୀ ।
ଆମରି ବସନ, ଆମରି ଫେସନ ପାଇଁ
ଧ୍ୱଂସ କରିଚି ମହୀ ।
ପୁଲିଶି-ଚାଳନା କର ଆହେ ସେନାପତି
ଗଡ଼ଜାତ ସମ ଭାଜିପଡ଼ୁ ନରଜାତି !
ଧରାଅ ପତାକା ଚରଖା-ଚକ୍ର ହାତେ
ଭାରତ ରାଷ୍ଟ୍ରପଥେ ।
ଗାଇବୁ ବେତାରେ ଖେଳିବୁ ସିନେମା ହଲେ
କିସ୍-ମି-ନଟ୍-ପାଉଡ଼ର ବୋଳି ଗାଲେ ।
ବୁଲିବୁ ମୋଟରେ, ବ୍ୟୋମଯାନେ ଯିବୁ ଉଡ଼ି
ହାରେମ୍ କଷଣ ଭୁଲି ।
ତେଣୁ ଆଜି ଆମେ ପାଞ୍ଚହଜାର ନାରୀ
ଅଭିନନ୍ଦନେ ବନ୍ଦୁ ହେ ଚଉଧୁରୀ !
ନାରୀ ପୁରୁଷର ସମର ଘୋଷଣା କର
ଦେଖିବ ଆଗାମୀ କାଳ ।
[ଜାନୁୟାରୀ-୧୯୪୯]
ମିସେସ୍ କହଇ- ମିଷ୍ଟର ତୁମେ
କେଡ଼େ ବଡ଼ ଭୁଲ କଲ !
ବିବାହ ବେଦିରେ ହାତ ଧରି ଆମେ
କରିଅଛେ ସିନା ଘର ।
ଏଇଥି ପାଇଁକି ମୋ ଚିଠି ଖୋଲିବ ?
ସ୍ୱାଧୀନତା ମୋର ନାଇଁ ?
ମାନହାନି କଲ, ରେଡ଼ି ହୁଅ ଏବେ
ଅଦାଲତରେ ଯିବାପାଇଁ !
ଅତି ଆଧୁନିକା ଅଭିଯୋଗ କରେ -
କାଲି ଆସିଥିଲେ ସିଏ,
ସିନେମା ଯିବାକୁ ମନାକରିଦେଲ,
ଡାକୁଥିଲେ କେଡ଼େ ସ୍ନେହେ ।
ମାଳତୀ ଯାଉଚି, ସରଳା ଯାଉଚି,
ଯାଉଚି ଲତିକା ଦେଈ
ଦେଖୁଚି ଏ ଘରେ ମୋର ମାନ ନାଇଁ,
ମୋର ସ୍ୱାଧୀନତା ନାଇଁ !
ଛାତ୍ର କହୁଚି - ଗୁରୁଜୀ ଆପଣ !
ବିଚାରିଲେ ନାଇଁ ଜମା
କାଲି ଡ଼ାକଥିଲେ ଚାହାଭୋଜି ପାଇଁ
ଆମରି ଶ୍ରେଣୀର ରମା ।
ଆପଣ ତ ଥିଲେ, ମୁଁ ବି ଯାଇଥିଲି,
ପଢ଼ା ହୋଇନାହିଁ ଜାଣି
ପ୍ରଶ୍ନ ପଚାରି ଅପମାନ ଦେଲ,
ଏ କି ନୁହେଁ ମାନହାନି ?
ଲେଖକ ଲେଖଇ - ସଂପାଦକ ହେ,
କେଡ଼େ ମାନହାନି କଲ !
ସବୁଠି କହିଚି ମୋହର କବିତା
ବାହାରିବ ଏଇ ଥର ।
ତୁମ କାଗଜରେ ମେମ୍ବର ହେଲି
ବାର୍ଷିକ ମୂଲ ଦେଇ
କବିତା ନ ଛାପି ମାନହାନି କଲ
ଟିକିଏ ବିଚାର ନାଇଁ ?
ଦୋକାନ ଉପରେ ଦୋକାନୀ କହଇ
ଆଚ୍ଛା ଖରିଦଦାର !
କହୁଅଛି ମୁହିଁ ‘ବ୍ଲାକ୍’ କରୁଛି ?
ହୁସିଆର, ହୁସିଆର !!
ଯୋଗାଣ-ଜେଗାରୁ ଯାହା ମୁଁ ଆଣୁଛି,
ଭିତିରି ପଇସା ଗଣି,
ତାହା ମୁଁ କଷିଲେ ‘ବ୍ଲାକ୍’ କହୁଚ !
କରିଦେବି ମାନହାନି !!
ଏମ. ଏଲ. ଏ. କହଇ - ଭୋଟରବୃନ୍ଦ !
ସାବଧାନ, ସାବଧାନ !
ଲାଟସଭାର ମୁଁ ସଭ୍ୟ ହୋଇଚି,
ଜାଣ ତୁମେ ମୋର ମାନ ?
ନିର୍ବାଚନରେ ପାଣିପରି ମୁହିଁ
ଖର୍ଚ୍ଚ କରିଚି ଯେତେ
ଦେଶ ‘ସେବା’ ମୁହିଁ କରୁନି କହିଲେ
ନେଇଯିବି ଅଦାଲତେ ।
ଆସାମୀ ବଖାଣେ ପୁଲିସ ଥାନାରେ
ଦାରୋଗା ବାବୁ ହେ ଶୁଣ,
ଡାକିଆଣି ମୋତେ ପ୍ରଶ୍ନ ପଚାରି
ଦେଲ ଏତେ ଅପମାନ ।
ନାହିଁ କଲେ ମୁହିଁ ପୁଣି ପଚାରିଲ,
ଠିଆକରାଇଲ ଜାଣି,
ଏ ଗଣତନ୍ତ୍ର ଦେଶରେ କରିଲ
ଏ ଘୋର ମାନହାନି !!!
ନେତା କହୁଅଛି - ଖବରକାଗଜ
ସମ୍ପାଦକ ହେ ଶୁଣ -
ଦେଶକୁ ତୁମର ସ୍ୱାଧୀନ ଯେ କଲା
ଗାଅ ତାର ଦୁର୍ଗୁଣ ?
ଦେଶର ନାଆଁରେ ଯେତେ ଯାହା ଆମେ
କରୁଅଛୁ ଜାଣି ଜାଣି
କିଏ ଜାଣେନାହିଁ ? ତୁମେ ଯଦି ଲେଖ
କରିଦେବୁ ମାନହାନି ।
[ସେପ୍ଟେମ୍ବର-୧୯୫୨]
ଭାଗବତ କାନ୍ଦେ ଆଜି
କାନ୍ଦ ତାର ଶୁଣଚି କି କିଏ ?
ଗାଆଁ ସେପାଖରେ ତାର
ଛୋଟ ଏକ ଚାଳଘରଟିଏ ।
ଛାତେ ତାର ନଡ଼ା ନାଇଁ,
କାନ୍ଥ ବାଡ଼ ପଡ଼ିଲାଣି ଲଇଁ
ଚାରି ଛ’ଟା ବୁଢ଼ିଆଣୀ
ଜାଲ ବୁଣି ରହିଚନ୍ତି ତହିଁ ।
ଉପରୁ ପଡ଼ିଲା ବର୍ଷା,
କାନ୍ଥ ମାଟି ଖସି ହେଲା ଫାଙ୍କା
ସେ ଭିତରେ ଠିଆକଲେ
ଉଇ କେତେ ଛୋଟ ଛୋଟ ହୁଙ୍କା ।
ଝଡ଼-ତୋଫାନରେ କାହିଁ
ନୀଡ଼ହୀନ ଦି’ଚାରି ଚଢ଼େଇ
ସେଇ ଭଙ୍ଗା ଛାତତଳେ
ବିରଚିଲେ ନୂଆ ବସା ଯାଇ ।
ଭାଗବତ ଗୃହହୀନ,
ଖ୍ୟାତି ନାଇଁ ସେ ଗାଆଁରେ ଆଉ
ଫୁଲସଞ୍ଜବେଳେ ତାର
ଦ୍ୱାରେ ଉଭାହେବେ ଲୋକେ କାହୁଁ ?
ତା ଭିତରକଥା ଆଉ
ବୁଝିବାକୁ କେ ଆସିବ କିଆଁ ?
ସେ ଗାଆଁର ଜମିଦାର,
ସେ ଗାଆଁର ଧନୀ ବେପାରିଆ ।
ଗଲାବେଳେ ସେଇ ବାଟେ
ଆଡ଼ଆଖି ନ ପଡ଼ଇ କା’ର
ଭାଗବତ ଗୃହହୀନ,
ଖ୍ୟାତି ନାଇଁ ସେ ଗାଆଁରେ ତାର ।
ଯାଏ ଚାଷୀ ହଳ ଧରି
ଆସେ ଫେରି ଗାଏଁ ସଞ୍ଜବେଳେ,
ଧନଗର୍ବେ ଧନୀ ଥାଏ
ଯାଏ ଦୁଃଖୀ ପାଦ ଚାଳି ଧୀରେ ।
ରୋଗୀ ଡାକି ଡାକି ଯାଏ
କବିରାଜ ଦ୍ୱାରେ କାନ୍ଦି କାନ୍ଦି,
ଋଣ ଶୁଝିବାକୁ ଯାଏ
ଅଧମର୍ଣ୍ଣ କପାଳକୁ ନିନ୍ଦି ।
ଯାଏ ଛାତ୍ର ପାଠ ପଢ଼ି,
ଗାୟକ କେ ଯାଏ ଗୀତ ଗାଇ,
କୁଳବଧୂ ଯାଏ ସ୍ନାନେ
ଶିରେ ତାର ଓଢ଼ଣାକୁ ଦେଇ ।
କେହି ନ କହନ୍ତି ପଦେ,
ଭାଗବତ ଗୃହହୀନ ଆଜି
ବାଡ଼ ନାଇଁ, ଦ୍ୱାର ନାଇଁ,
ଛାତ ତାର ପଡିଅଛି ଭାଜି !
ଗଲେ ଦିନେ ସେଇ ପଥେ
ଜଣକେତେ କାନ୍ଧେ ବହି ଭାର
ହସ ନାଇଁ, କଥା ନାଇଁ,
ଛଳଛଳ ନେତ୍ରୁ ବହେ ନୀର ।
ଡ଼େଉଁ ଭାଗବତ ଘର
ମଶାଣିରେ ଶୁଣାଗଲା ବାଣୀ-
‘‘ପରାଣୀର ଭଲ ମନ୍ଦ
ଏ ମରଣକାଳେ ତାହା ଜାଣି !’’
ବିଚାରିଲା ଭାଗବତ -
ଲୋକେ ମୋତେ ମନେ’ଛନ୍ତି ରଖି
ଯେଉଁ ମହାସତ୍ୟ ବାଣୀ
ଜଗନ୍ନାଥ ଦାସ ଗଲେ ଲେଖି !
[ଅପ୍ରେଲ-୧୯୬୨]
ପଢ଼ି ମନ୍ତ୍ର, ହେ ଅକ୍ଷତ !
ଦୁର୍ବାଦଳେ ତୁମକୁ ମିଶାଇ
ପ୍ରଣୟର ବେଦିପରେ
ପୁରୋହିତ ଆଶୀର୍ବାଦ ଦେଇ
ଯେ ଦିନୁ ବିଦାୟ ନେଲେ,
ଏ ସଂସାର ହୋଇଲା ଦୁର୍ବହ
ଚାରୋଟି ବିକଳ କଣ୍ଠୁ ଡ଼ାକ
ଏବେ ଶୁଣେ ଅହରହ ।
ତୁମକୁ ପଖାଳ ରୂପେ
ପାଇବାରେ ହୋଇ ଅସମର୍ଥ
ଖୋଜି ମୁଁ ବୁଲିଚି ଖାଲି
ଏ ଜୀବନେ ଚତୁର୍ଦ୍ଦିଗେ ଅର୍ଥ
କି କ୍ଷତ-ବିକ୍ଷତ ଆଜି
ହେ ଅକ୍ଷତ ଗୃହ ପରିବାର,
ଗୋଟି ଗୋଟି ଚାଉଳ ହେ !
ତୁମକୁ ମୋ କୋଟି ନମସ୍କାର ।
ଦୁଃଶାସନ ନାଗରିକ
ତୁମକୁ କେ ରଖିଅଛି ବାନ୍ଧି
ରାଜନୀତି ପଣ୍ୟାଗାରେ
କେଉଁଠାରେ, ଖୋଜି ମରେ କାନ୍ଦି ।
କାହିଁ ଅଛ ଦେଖାଦିଅ
ଯାତ୍ରାପଥେ ପ୍ରଚୁର ରୂପରେ
ଡ଼ାକେ ମଧ୍ୟବିତ୍ତ ମୁହିଁ
ବେକ ରଖି ଶାସନ ଯୂପରେ ।
କପାଳେ ଜୁଟିଲା, ଦେଢ଼-
ବରଷରେ ଦେଶଟା ବୁଲି
ମାସକୁ ସତୁରି, ଘରଭଡ଼ା
ଛାଡ଼ି ଚାକିରି କଲି ।
ମାସେ ଚାରିଥର ଡାକବାଲା
ଯାଏ ଦୁଆରେ ଡାକି,
ଚାରିଟା ଚିଠିରେ ଅନୁଭବେ
କା’ର ସଜଳ ଆଖି -
ଆଜି ଲୁଗା ନାଇଁ, କାଲିଠୁ
କୁନିର ଚାଲିଚି ଝାଡ଼ା,
ବହି ନାହିଁ ବୋଲି ବଡ଼ଝିଅ
ରୁଷି ଛାଡ଼ିଲା ପଢ଼ା ।
ଝଡ଼-ପବନରେ ବାଡ଼ିଘର
ଛାତ ଯାଇଚି ଉଡ଼ି,
ବେଭାର ପଡ଼ିବ ଆଖି ବୁଜି -
ଦେଲା ମାଉସୀ ବୁଢ଼ୀ ।
ଆଗ ପଛ ଭାଳି ପରିବାର
ଧର ଛାଡ଼ିଲି ଘର
ରଇତ ହାତରେ ଛାଡ଼ିଦେଇ
ଖାଲି ଛ’ମାଣ ବିଲ ।
ଚାକିରି ଭିତରେ ଚାଉଳ-
ମୁଠାକେ ନ ହେଉ ଭୋଗ
ବିଚାରେ କାହାକୁ ଛାଡ଼ିବି ?
ବିଲ ବା ଚାକିରି ଆଗ ?
ଆଖି ବୁଜିଦେଲେ ଚାକିରି ଭିତରେ
କି ହେବ, ବିଚାର କଲି
ଚାକିରି ଛାଡ଼ି ମୁଁ ବିଲରେ ପଶିଲି
ତଳ ଉପରକୁ ଭାଳି ।
ବଳଦ ହଳେକୁ ବିହନ ଖତରେ
ହିସାବ କରି ମୁଁ ଦେଖେ
ସାଉକାର ଘର କରଜା ପାଖକେ
ବିଲର ଆଦାୟ ପାଖେ ।
ଲୁଗା ବୋଲି ଯାକୁ ବରଣ କରିଲି
ତାକୁ ତ ନ ପାରେ ଫିଙ୍ଗି
କୁଞ୍ଚକୁ ଊଣା, କଛାକୁ ନ ପାଏ,
ହେଲା ତା’ ଶେଷରେ ଲୁଙ୍ଗି ।
[ସେପ୍ଟେମ୍ବର-୧୯୬୧]
ଲିଭି ଆସୁଥିବାବେଳେ ଦୀପ
ଆଜି ଘୋର ଅନ୍ଧକାରେ
କି ଦୀପ କରିବି ଦାନ
ପିତୃଗଣ, କହ କି ପ୍ରକାରେ ?
ଲିଭୁଚି ସୀମାରେ ଦୀପ,
ବାତ୍ୟା ଆସେ ଅଣଞ୍ଚାଶେ ବହି
କି ଭଳି ଜାଳିବି ଦୀପ
ତୁମ ପାଇଁ ଆକାଶକୁ ଚାହିଁ !
ଅନ୍ତରେ ଲିଭୁଚି ଦୀପ,
ଖାଦ୍ୟ ବିନା ଶୁଭେ ହାହାକାର,
ଦୁର୍ନୀତିର ଅମାତଳେ
ହୁଏ ନାହିଁ ସାହା କିଏ କା’ର ।
‘‘ଜାତିପ୍ରେମ-ବହ୍ନି’’ ଆଜି
ଏ ସମାଜେ ଲିଭି ଲିଭି ଆସେ
ଗାଇଥିଲେ ଦିନେ ଯାହା
କି ଆବେଗେ କୁଳବୃଦ୍ଧ ଦାସେ !
ସ୍ୱାର୍ଥର ଆହୂତି ନାଇଁ,
ସ୍ୱାର୍ଥାନଳ ଜଳେ ଶିଖା ଟେକି
ଖାଲି ମିଥ୍ୟା ପ୍ରବଞ୍ଚନା
କରୁଚି କେ ଇତିହାସ ଲେଖି !!
ସତ୍ୟର ପୂଜାରୀ ନାମେ
ଅସତ୍ୟର ରଚି ଇନ୍ଦ୍ରଜାଲ
କେ ପାତକୀ କରେ ଆଜି
ଜାତିଟାକୁ ଖାଲି କଲବଲ !!
ଶାନ୍ତି-ଉପାସକ ବୋଲି
ଅଶାନ୍ତିର କିଏ ଗଢ଼େ ଗଡ଼
ନେଇଚି କି ଅବତାର
ଏ ରାଇଜେ ସେ କଳାପାହାଡ଼ !
ମୁହଁରୁ ଛଡ଼ାଇ ଅନ୍ନ
କରଇ କେ ବଣିଜ ବେପାର
ସୁନା ମାଟି କରି ଚୂନା
ଚାଲିଚି ଏ ଖାଲି ଅବ୍ୟାପାର ।
ନଗ୍ରେ ଗ୍ରାମାଞ୍ଚଳେ ଆଜି
ଟାଉଟର କରୁଛନ୍ତି ଲୀଳା
ହେ ପିତୃପୁରୁଷ, ତୁମ
ଜାତିଟାର ବୁଡ଼ିଆସେ ଭେଳା !
ସପିଣ୍ଡ ଅପିଣ୍ଡ ଅବା ଲୁପ୍ତ-
ପିଣ୍ଡ ଯେତେ ଅଛ ରହି
ଚାହୁଁଛ କି ଏ ହାତରୁ
ଶରଧାରେ ଦୀପ ନେବାପାଇଁ ?
ଆସି ଅନ୍ଧକାରେ ଫେରି -
ପାରିବ କି ଆଲୋକ ମାର୍ଗରେ
ଯେତେ ଅଛ ପିତୃଗଣ
ଜନ୍ମଜରା-ବିମୁକ୍ତ ସ୍ୱର୍ଗରେ !
କର ଆଲୋକିତ ପଥ
ଆଲୋକିତ କର ଏ ରାତିକି
ଆଣି ଦିବ୍ୟାଲୋକୁ ଜ୍ୟୋତି
ବଞ୍ଚାଅ ଏ ମୁମୂର୍ଷୁ ଜାତିକି ।
ଅଥର୍ବରେ ଦିଅ ବଳ,
ଘୁଞ୍ଚିଯାଉ କୁଳର କଳଙ୍କ
ମୁଖରେ ଦିଅ ହେ ଭାଷା,
ଶୁଭୁ ଆଜି ସ୍ୱର୍ଗଲୋକେ ଡାକ ।
ଦିଅ ଅଜ୍ଞାନରେ ଜ୍ଞାନ,
ଅପସରୁ ସମସ୍ତ କାଳିମା
ହେଉ ଉଦ୍ଭାସିତ ଦେବ !
ଏ ଜାତିର ଦିଗ୍ବଳୟ ସୀମା ।
କାର୍ତ୍ତିକର ଅମାବାସ୍ୟା
ଅନ୍ଧକାରେ ଦୀପଦାନବେଳେ
ତୁମରି ଦାୟାଦ ଆଜି
ଏ ଦୁର୍ଦ୍ଦିନେ ଡାକି ଦୀପ ଜାଳେ ।
[ଅକ୍ଟୋବର୍୧୯୫୯]
ମାଣ୍ଡିଆ ଘୋର ଗୋ ମାଣ୍ଡିଆ ଘୋର
ଯେତେ ଯହିଁ ଅଛ କାମିନୀକୁଳ ।
ଘୋର ଗୋ ମାଣ୍ଡିଆ, କର ଗୋ ତମ୍ପା
ଅୟି ରମା, ଶ୍ୟାମା, ମାଳତୀ, ଚମ୍ପା !
ଏ ସାଲ ଫସଲ ଗଲାଣି ପୋଡ଼ି
ଚଳ ଗୋ ଏଥର ମାଣ୍ଡିଆ ଘୋରି ।
ଛାଡ଼ ପାହୁରାଣି, ଛାଡ଼ ଗୋ ଢିଙ୍କି
ସାହା ଏତେବେଳେ ଘୋରଣା ଚକି ।
ଘୋରଣା ଚକିରେ ଲାଗିଚି କଳ
କିଳା ପୋତାଠାରେ ବାହୁର ବଳ ।
ଘିରି ଘିରି ଘିରି ବୁଲାଅ ଧରି
ପାଣିରେ ହୋଇବ ମାଣ୍ଡିଆ ଖିରି ।
ମାଣ୍ଡିଆ ଜାଉର ବହୁତ ଗୁଣ
ଲୋଡ଼ା ଖାଲି ତହିଁ ଦହି ଓ ଲୁଣ ।
ନ ମିଳୁ ଚିନି ବା ନ ମିଳୁ ଗୁଡ଼
ବସି ବସି ଖାଲି ମାଣ୍ଡିଆ ଘୋର
କର ଗପ ବସି ମାଣ୍ଡିଆ ଘୋରି
କିଶୋରୀ, ଯୁବତୀ, ପ୍ରୌଢ଼ା, ବୁଢ଼ୀ ।
କସିକାସି ଲୁଗା ଅଣ୍ଟାରେ ଭିଡ଼
ଘୋରଣା ପାଖରେ ଓଢ଼ଣା ଛାଡ଼ ।
ହାତେ ବାଜୁଥାଉ କାଚ ଓ ଖଡ଼ୁ
ଝୁମୁରୁ ଝୁମୁରୁ ମାଣ୍ଡିଆ ଘୋରୁଁ ।
ମାଣ୍ଡିଆ ଖାଇଲେ କାକର ପେଟ
ଖାଆନ୍ତି ମାଣ୍ଡିଆ ମନ୍ତ୍ରୀ ଲାଟ !
[ଜୁଲାଇ-୧୯୪୯]
ଏକାଘରେ ଚଳାଚଳ ପ୍ରୀତି ଅନୁରାଗେ
କେ ଆସିଲା ପଛେ, ଆଉ କେ ଆସିଲା ଆଗେ ।
ଜଣେ ସୁକୋମଳ ପୁଣି ଜଣେ ଭୀମକାନ୍ତ
ଜଣେ ସେ ଘରର ଜିଭ, ଜଣକ ନାଁ ଦାନ୍ତ ।
ଘର ନାଆଁ ପାଟି, ଜିଭ ଆସିଥିଲା ଏକା
ଧୀରେ ଧୀରେ ତା ପାଖରେ ଦାନ୍ତ ଦେଲା ଦେଖା ।
ହସିଦେଲେ ଦାନ୍ତ କଲା ଶୋଭା ବରଧନ,
ହଲି ହଲି ଜିଭ ଦେଲା ଅମୃତବଚନ ।
ଦାନ୍ତ ଦେଖି ଜିଭ ଦିନେ କହିଲା ତା କଥା -
ତୋ ଆଗରୁ ଜନ୍ମ ମତେ ଦେଇଛି ବିଧାତା ।
ସାବଧାନ, ମୋ ଆଡ଼କୁ ନ ଆସିବୁ ମାଡ଼ି
ବୟସରେ ବଡ଼ ମୁହିଁ ଗୁରଜନ ପରି ।
ଉତ୍ତରିଲା ଦାନ୍ତ - ଆହେ ଶୁଣ ବଡ଼ଭାଇ
ତୁମକୁ ଜଗିବାପାଇଁ ଆସିଅଛି ମୁହିଁ ।
ପାଳିବାକୁ ହେବ ନୀତି ‘ପଞ୍ଚଶୀଳ’
ଅଯଥାରେ ହେବ ନାଇଁ ତୁମେ ହଲଚଲ ।
ଜିଭ କହେ - ଦାନ୍ତ ! ତୁମେ ଟାଣ ବୋଲି କହି
ଏଣୁତେଣୁ ଯାହା ଇଚ୍ଛା କାମୁଡ଼ିବ ନାହିଁ ।
ମୋର ବୋଲ ନ ମାନିଲେ ଗିଳିବନି କିଛି
ଅଧିକରେ ଲୋକନିନ୍ଦା କରିଦେବି ଛି ଛି ।
ଗଲା ବହୁ କାଳ, ଜିଭ ଦାନ୍ତ କଲେ ଘର
ଦାନ୍ତ ଯାହା କଲା ଜିଭ ବୁହାଇଲା ଲାଳ ।
ଜିଭ ମନାକଲେ ଦାନ୍ତ ଚୋବାଇଲା ବସି
ଦୁହିଁଙ୍କର ହେଲା ଦିନେ ବଳ କଷାକଷି ।
ଯେଝା ସୀମାରେଖା ଡେଇଁ କଲେ ଗଣ୍ଡଗୋଳ
ସମଗ୍ର ଶରୀରଗୋଟା ହେଲା ଥରହର ।
ଛକିଥିଲା ଯୁବା ଦାନ୍ତ ବୁଢ଼ା ଜିଭ ପାଖେ
ଲଗାଇଲା ଏକ ଚୋଟ ସମ୍ମୁଖ ସଳଖେ ।
ଦନ୍ତାହତ ଜିଭ ଏବେ କହେ ରହି ରହି
କେଡ଼େ କଥା କଲୁ ମୋର ପଛେ ଆସି ତୁହି !
ମୁଁ ହେଲି ଅଚଳ; ତୁହି ଯିବୁ ଦିନେ ଝଡ଼ି
ଏ ଶରୀର ଅଛି ଏବେ ମାଟିପିଣ୍ଡ ପରି !
[ଜାନୁଆରୀ-୧୯୬୨]
ଜୀବନ-ମୃତ୍ୟୁ-ଗୀତିକା କେତେ ଯେ
ତୁମରି କୋଳରେ ହୋଇଛି ବୋଲା
ସ୍ମୃତିର ସାଗର ହେ ଟାଉନହଲ୍ !
ଦୁଃଖ-ସୁଖର ମିଳିତ ଦୋଳା ।
ପାରିବ କି କହି ଆଜି ଏତେବେଳେ
ଯେତେ କଥା ତୁମେ ଆସିଛ ଦେଖି
ତୁମରି ଛାତିରେ ପଥର-ଇଟାରେ
ରଖିଚ ଯେ ବାଣୀ ଭିତରେ ଲେଖି ?
ସ୍ୱପ୍ନମଗନ ନଗର ଜୀବନ
ଏ କାଳସାଗର ଲହରୀ ତଳେ
ହୋଇ ଛଳଛଳ ଅଶ୍ରୁ ଉଥଳ
ତୁମରି ଭିତରେ ଉଠଇ ବଳେ ।
ଏ ଜାତି ଜୀବନ-ଯାତ୍ରା-ପଥରେ
ବନ୍ୟା ମରୁଡ଼ି ହୋଇଲେ ଉଭା
ଏଇ ଚାରିକୋଣ କାନ୍ଥ ଭିତରେ
ବସିଛି କେତେ ତ ଜନତା ସଭା !
ଅତି ଅବିଧିରେ ଶାସନ ବିଧିରେ
କୀଟ କାଟି ଯେବେ ଚାଲିଚି ନାଟ
ବସି ଏ ଭିତରେ ଶୁଦ୍ଧ ଚିତ୍ତରେ
ସାଧୁ ଜନେ ପରା ଖୋଜିଲେ ବାଟ !
ଜୟ ପରାଜୟ ସଙ୍କଟ ବେଳେ
ଜଳିଲା ଅନଳ ତୁମରି ବୁକେ
ହୋଇଲା ସଚଳ ଅଚଳ ଜୀବନ
ପାଲଟିଲେ କେତେ ମୁଖର, ମୂକେ ।
ଉଡ଼ାଇ ଗର୍ବେ ବିଜୟ-କେତନ
ଶିବ, ସୁନ୍ଦର, ସତ୍ୟ ପାଇଁ
ହଜିବା ଧନରେ ଖୋଜିଆଣିବାକୁ
ଅତି ଅକାତରେ ଗଲେ କେ ଧାଇଁ ।
ନବ ଯଉବନ କିଶୋର ଜୀବନ
ଦେଇ ଧୂଳିମାଟି କରିଲେ କେତେ ।
ପାଲଟାଇ ଦେଲେ ଉଷର ଭୂଇଁକି
ପ୍ରାଣ ଛନଛନ ସବୁଜ କ୍ଷେତେ !
ଜୟ-ଚନ୍ଦନ ଟିକା ନେଇ ଭାଲେ
ମାଲ୍ୟ ଘେନିଲେ ଗଳାରେ ଏଥି
ସ୍ୱନାମଧନ୍ୟ, ଚିର-ବରେଣ୍ୟ
କେତେ ଏ ଜାତିର ବିଜୟୀ ରଥୀ ।
ଆବର ଏ ଥାନେ ସ୍ୱାର୍ଥ ସାଧନେ
ରୂପ ବଦଳାଇ କୁଳାଙ୍ଗାର
ସତରେ ଦଳିଲେ ସଙ୍କଟବେଳେ
ଶିଖି-ମନାଇର ବଂଶଧର ।
କେତେ ଭୁଜଙ୍ଗ ଲୁଚାଇ ରଙ୍ଗ
ମାଇଲେ ସାଧୁରେ ପଛରୁ ଚୋଟ
ଏ ଘର ଧୂଳିରେ ଛପିଅଛି ପରା
ସବୁ ଇତିହାସ ବଡ଼ ଓ ଛୋଟ ।
ତେଣୁ କହେ ଆଜି ଟାଉନ୍ହଲ୍ ହେ !
ଦୁଃଖ ସୁଖର ମିଳିତ ଦୋଳା
ଦଳ-ଦର୍ପିତ କାଲିର ମଣିଷ
ଆଜି ଦେଖ ଦୀନ ବେଶରେ ଛିଡ଼ା !
[ମେ-୧୯୬୨]
ଏ ଜାତିରେ ସୁନାପୁଅ ଥିଲା ସେ ଧରମା
ଗଢ଼ିଥିଲା କୋଣାରକ ନ ଖାଇ ଦରମା !
କାଳର ଚରଣାଘାତେ କୋଣାର୍କର ଶିଳା
ପଡ଼ିଲାଣି ଢ଼ଳି ଏବେ, କି ହେଲା, କି ଥିଲା !
ପ୍ରତ୍ନତତ୍ତ୍ୱ ଗବେଷକ ଗଣୁଛନ୍ତି ବସି
ଶତାବ୍ଦୀର ସଂସ୍କୃତିକୁ ନିକଷରେ କଷି ।
ଦେଇଛି ସେ ଇତିହାସ ରାଜାରେ ସମ୍ମାନ
ଲେଖିଛି ସେ ସମ୍ରାଜ୍ୟର ଉତ୍ଥାନ ପତନ ।
ରାଜାରେ କରିଛି ସାନ, ଧରମାରେ ବଡ଼-
ବିନା ଦରମାରେ ଥିଲା ବଡ଼ କାରିଗର ।
ଲାଗିଛି ଏ ରାଜ୍ୟେ ଏବେ ଦରମାର ଲୀଳା
କହୁଛନ୍ତି ତେର ମନ୍ତ୍ରୀ ଉତ୍କୃଷ୍ଟ ଏ ‘କଳା’ ।
ହଜାର ହଜାର ଟଙ୍କା ଦରମାରେ ଯାଇ
ତା’ତହୁଁ ଦ୍ୱିଗୁଣ ଯାଏ ଗସ୍ତ-ଖର୍ଚ୍ଚ ପାଇଁ ।
ନୃତ୍ୟ ଗୀତ ସଙ୍ଗୀତରେ ଇଙ୍ଗିତ ମାତ୍ରକେ
ଶହ ଶହ ବହିଯାଏ ଏକଇ ରାତ୍ରକେ ।
କଳା ଶିଳ୍ପୀ, ଅଫିସର, ମୁଖ୍ୟ-ସେକ୍ରେଟାରୀ
ଦରମାର ମାନଦଣ୍ଡେ ଦେଶସେବାକାରୀ !
ଭୂଦାନର ପୁଣ୍ୟ ପୀଠେ ଋଷି, ମହାଋଷି-
ମହାଯାତ୍ରାପଥେ ’ ଛନ୍ତି ଯେତେକ ତପସ୍ୱୀ,
ନୁହନ୍ତି ସେ ଅଜ୍ଞ ଅବା ନୁହନ୍ତି ବାଚାଳ
ସର୍ବେ କିନ୍ତୁ ଧରିଛନ୍ତି ଦରମାର ହାର !
ଦରମାର ମାନଦଣ୍ଡେ ବଡ଼ ସାନ ଭାବ
ରଖି, ଗରିବଙ୍କ ନାମେ କାନ୍ଦେ ଯାର ଜୀବ
ମାସିକ ବାରଶ’ ଟଙ୍କା ନିଅନ୍ତି ଦରମା
ମନେ ନ ପଡ଼ଇ ଲବେ ଏ ଜାତି ଧରମା ।
ଆସିକାର ହେ ସାବିତ୍ରୀ ନାୟିକାଣୀ ଦେବୀ
ଦି’ ଟଙ୍କା ଦରମା ତୁମ ମାସକର ଦାବି ।
ରାଜସ୍ୱ ବିଭାଗେ ତୁମେ ଲେଖାଇଲ ନାମ
‘ସମସ୍ତେ ସମାନ’ କହେ ଆମ ସଂବିଧାନ !
ଭାଜି ଯିବ ରାଜଧାନୀ ଦୋ’ ମହଲା ପକା
ଆସୁଥିବେ କେତେ କରି ମନ୍ତ୍ରୀତ୍ୱ ଜୀବିକା ।
ନ ଥିବେ ଏ ସଦାଶିବ, ରଥ, ଚଉଧୁରୀ,
ନ ଥିବେ ଏ ପ୍ରସ୍ଫୁଟିତା ବସନ୍ତମଞ୍ଜରୀ,
ନ ଥିବେ ରାଉତସୁତ ଅନାଗତ ଧର୍ମୀ
ନ କରିବେ ତୀର୍ଥବାସ ଧର୍ମ ଅର୍ଥ-କାମୀ ।
ହେ ସାବିତ୍ରୀ, ତୁମ ନାମ ହେବ ଚିରନ୍ତନ
ଆସିକା ‘ବିଶ୍ରାମଗାରେ’ ଦେଇଛ ଜୀବନ ।
ଦେଶର ଦାୟାଦ ଦିନେ ଭୁଲିଯାଇ ମନ୍ତ୍ରୀ
ତୁମକୁ ରଖିବେ ମନେ ହେ ସୀତା ସାବିତ୍ରୀ ।
[ମେ-୧୯୫୫]