ଅମର-ଶହୀଦ

ଅମର-ଶହୀଦ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ମୁକୁଟହୀନ ରାଜା

(୧)

ସେହି ଦେଶ ଗାଥା            ବଖାଣିଲେ କବି

ଖୋଳିଲେ ଶିଳିପୀ

କେତେ ଦେଉଳେ,

ସରିନି ସେ କଥା            ଅଛି ପୁଣି ବାକି

କହିବାକୁ କାହିଁ

ଶକତି ଠୁଳେ !

 

(୨)

କେତେ ମହାଯୋଦ୍ଧା      ଜିଣିଲେ ଲଢ଼େଇ

ଦେଖାଇ ସାହାସ

ରୁଧିର ଢାଳି

ଆଜି ଆଚମ୍ବିତ      ଲାଗେ, ଯେତେ ଦେଶେ

କୀରତି-ପ୍ରଦୀପ

ଗଲେ ସେ ଜାଳି ।

 

(୩)

ଯେ ରାଜ୍ୟସୀମାକୁ            ବେଢ଼ିଛି ଉତ୍ତରେ

ଦକ୍ଷିଣେ ପଶ୍ଚିମେ

ବଣ ପାହାଡ଼

ଗଡ଼ଖାଇ ପରି            ପୂରୁବେ ଦକ୍ଷିଣେ

ସୁନୀଳ ଜଳଧି

କରେ ଉହାଡ଼ ।

 

(୪)

ଉତ୍ତର ପଶ୍ଚିମ            ସୀମା ଜଗିଛନ୍ତି

ସାନ୍ତାଳ ଭୂମିଜ

କୋହ୍ଲ-ସନ୍ତାନ

ସିଂହଭୂମି-ସିଂହ-            ସମାନ ବୀର ସେ

ଦେଶ ପାଇଁ କଲେ

ଜୀବନ ଦାନ ।

 

 

(୫)

ଦକ୍ଷିଣ ସୀମାରେ            କୋରାପୁଟ ଜିଲା

ଗୋଦାବରୀ ଯାକେ

ଯାଇଛି ବ୍ୟାପି

ଜଗିଛନ୍ତି ତାକୁ            କୋୟା କନ୍ଧ ବୀର

ପରଜା ଶବର

ମହା ପ୍ରତାପୀ ।

 

(୬)

ରଖିଲେ ଓଡ଼ିଆ-            ମହତ ସେ ବୀରେ

ଗଢ଼ିଲେ ଦେଶର

କୀରତି ରାଜି

ଶବର-ଦେବତା            ହେଲେ ଜଗନ୍ନାଥ

ଭରତେ ପୂଜିତ

ଯେ ଦିଅଁ ଆଜି ।

 

(୭)

ଧରମେ କରମେ            ସୁଖେ ଦୁଃଖେ ସାଥି

ଓଡ଼ିଆ ଶବର

ପରଜା କୋୟା

ଯୁଗ ଯୁଗ ଧରି            ଭାଇ ବନ୍ଧୁ ପରି

ରହିଛନ୍ତି କରି

ସେନେହ ଦୟା ।

 

(୮)

ମିଳାଇ କାନ୍ଧକୁ            କାନ୍ଧ ଲଢ଼ିଛନ୍ତି

ତୋଳିଛନ୍ତି ଦେଶେ

ବିଜୟ-ସ୍ତମ୍ଭ

ଅତୀତ କାଳରେ            ଉଡ଼ାଇ ନିଶାଣ

ବଢ଼ାଇଲେ ସେ ତ

ଜାତିର ଦମ୍ଭ ।

 

(୯)

କାଞ୍ଚି-ଅଭିଯାନେ            ଢାଳିଲେ ରୁଧିର

ଯୁଝିଥିଲେ ଗୌଡ଼-

କର୍ଣ୍ଣାଟ-ରଣେ ।

ବଢ଼ିଥିଲେ ପିଇ            ଝରଣା ଜଳ ଯେ

ଫଳ ମୂଳ ଖାଇ

ଗିରିଅରଣ୍ୟେ ।

 

(୧୦)

ପ୍ରକୃତି-କୋଳରେ            ସଦା ଯେ ସ୍ୱାଧୀନ

ନ ଜାଣନ୍ତି ମିଛ

କପଟ ଛନ୍ଦ,

ଓଡ଼ିଶା ମାଟିର            ଆଦିବାସୀ ସେହୁ

କୋୟା କୋହ୍ଲ କୁର୍ମି

ଶବର କନ୍ଧ ।

 

(୧୧)

ରହିଥିଲେ ଯେହୁ            କାଳ କାଳ ଧରି

ଆପଣା ରାଇଜେ

ମାଲିକ ନିଜେ

ଜାଣି ତ ନ ଥିଲେ            ବିଦେଶୀ ଶାସନ

ଶିଖି ତ ନ ଥିଲେ

ଦାସତ୍ୱ କି ଯେ !

 

(୧୨)

ବିଦେଶୀ ଶାସକ            ଆସିଲେ ଯେ କାଳେ

ରଖିଲେ ରାଜ୍ୟକୁ

କରକବଳେ

କୋରାପୁଟ କୋୟା-            ବୀର ହୃଦୟରେ

ସେ କାଳେ ବିଦ୍ରୋହ-

ଅନଳ ଜଳେ ।

 

(୧୩)

ପୁଲିସ ରାଜୁତି            ଚାଲିଲା କେବଳ

ଦାରୋଗା ସିପାହି

ହୋଇଲେ ରାଜା

ସରକାରି ଲୋକ            କଲେ ଅତ୍ୟାଚାର

ଗରିବ ମୂରୁଖ

ପାଇଲେ ସଜା ।

 

(୧୪)

ମାଲକାନଗିରି            ପୁଲିସ ଥାନାର

ଦାରୋଗା ସିପାହି

କଲେ ପ୍ରତାପ

ଆଇନ ନାମରେ            କଲେ ବେଆଇନ

ନ ମାନିଲେ କିଛି

ଅନ୍ୟାୟ ପାପ ।

 

(୧୫)

ମଦ ମାଂସ ଖାଇ            ହେଲେ ମତୁଆଳ

ସ୍ୱେଚ୍ଛାଚାର ହେଲା

ଶାସନ-ନୀତି

ମଣିଷକୁ ସେହୁ            ବିଚାରିଲେ ପଶୁ

କରିଲେ ପ୍ରହାର

ଜଗାଇ ଭୀତି ।

 

(୧୬)

ଲାଞ୍ଚ ମିଛ ସବୁ            ଶିଖାଇଲେ ଆଗ

ଯାହା ଘରୁ ଇଚ୍ଛା

ଲୁଟିଲେ ଧନ

କୁଳନାରୀଙ୍କର            ମହତ ନେବାକୁ

ପୁଲିସର ପୁଣି

ବଳିଲା ମନ !

 

(୧୭)

ଦୌରାତ୍ମ୍ୟ ତାଙ୍କର            ସହିବାର ସବୁ

ସୀମା ଡେଇଁ ହେଲା

ବିଭତ୍ସ ଅତି

ସହିପାରେ କେତେ            ମଣିଷଶରୀର

ଅତ୍ୟାଚାର ହେଲେ

ମଣିଷ ପ୍ରତି !

 

(୧୮)

ଗ୍ରାମ ଛାଡ଼ି ଲୋକେ            ପଳାଇଲେ ଦୂରେ

ନିଶନ ହୋଇଲା

ହାଟ ବଜାର

ଶ୍ମଶାନ ସମାନ            ଦିଶିଲା ସବୁରି

ଖାଲି ପଡ଼ିଥିବା

ଘର ଦୁଆର ।

 

(୧୯)

କୋୟା-ଜାତି-ବୀର            ତାମାଡୋରା ଯେବେ

ଶୁଣିଲା ସବୁରି

ଦୁଃଖ-କାହାଣି

ବସି ଥିଲା ଧୈର୍ଯ୍ୟ            ଧରି ବହୁ ଦିନ

ଶେଷେ ହେଲା ତା’ର

ହୃଦୟ ହାଣି ।

 

(୨୦)

ଆପଣା ପୂରୁବ-            ପୁରୁଷଙ୍କ କଥା

ସାହାସ ବୀରତ୍ୱ

ପଡ଼ିଲା ମନେ

ବସାଇଥିଲେ ଯେ            ନିଜ ବାହୁବଳେ

କେତେ ରାଜା ଆଣି

ରାଜ-ଆସନେ ।

 

(୨୧)

ବିଦେଶୀ ଇଂରେଜ-            ଶାସକ ଆଜ୍ଞାରେ

ଦେଶୀ ଲୋକେ ଏବେ

ଦିଅନ୍ତି ଦୁଃଖ

ଶାର୍ଦ୍ଦୁଳ ସମାନ            ତାମାଡୋରା ଆଖି

ଜଳି ଉଠେ କ୍ରୋଧେ,

ଭୀଷଣ ମୁଖ ।

 

(୨୨)

କମ୍ପେ ତା’ର ବାହୁ            ବହେ ଖର ଶ୍ୱାସ

ଦେଖି ସ୍ୱଜନର

କାତରଭାବ

ଜୀଇଁ ଥାଉ ମଡ଼ା            ସମାନ ହୋଇଲେ

ଜୀଇଁବାରେ ତେବେ

କି ଅଛି ଲାଭ ?

 

(୨୩)

ଧନୁ ତୀର ବର୍ଚ୍ଛା            କୁନ୍ତ ସେ ଧରିଲା

ଶକତି ସାହସ

ଅଛି ତା’ ଅଙ୍ଗେ

ଡାକିଲା ଗରଜି            ‘‘ଆସ ରେ ଜୁଆନ

‘‘ଧନୁଶର ଧରି

ଆସ ମୋ ସଙ୍ଗେ ।

 

(୨୪)

‘‘ଆସ ପରଖିବା            ପୁଲିସର ବଳ

ରଖିବା ଆମର

ମାନ ମହତ

‘‘ଦାଣ୍ଡରେ ଚାଲିବେ            ଆମ ଝିଅ ବୋହୂ

ପୁଲିସ ଦାଉରୁ

ହେବେ ମୁକତ ।

 

(୨୫)

‘‘ଆମ ପିଲାଛୁଆ            ହସିବେ ନାଚିବେ

ଘରେ ନ ଲୁଚିବେ

ଭୟରେ ଆଉ

‘‘ନ ପାରିବା ସହି            ଏତେ ଅତ୍ୟାଚାର

ଗଲେ ପଛେ ଏବେ

ଜୀବନ ଯାଉ ।

 

(୨୬)

‘‘ଜୀଇଁଲେ ଜୀଇଁବା            ମଣିଷ ପରି ହେ

ମଲେ ତ ମରିବା ମଣିଷ ପରି

‘‘ଆସ ଆସ ଭାଇ

ନ ରହିବା ଆଉ            ପୋକ ମାଛି ଭଳି

ଜୀବନ ଧରି ।

 

(୨୭)

‘‘ବନ୍ଧୁକ ଆଗରେ            ଛାତି ପତାଇବ

କିଏ ସେ ଜୁଆନ

ଆସ ରେ ଆସ

‘‘ନ ଆସିବ ଯେବେ            ସହି ଅପମାନ

ଚିରକାଳ ତେବେ

ହେବ କି ଦାସ ?

 

(୨୮)

‘‘ଚିର କାଳ ପାଇଁ            ମାଆ ଭଉଣୀଙ୍କ

ଇଜତ ତୁମର

ଦେବକି ସାରି ?

‘‘କେହି ନ ଆସିଲେ            ଏକା ମୁହିଁ ଯିବି

ଜୀବନ ମୂର୍ଚ୍ଛିବି

ଅରାତି ମାରି ।’’

 

(୨୯)

ତାମାଡୋରା କଥା            ଶୁଣି ଶତ ଶତ

ଜୁଆନ ରକତ

ଉଠିଲା ତାତି

ତୀର ଧନୁ ଧରି            ପଡ଼ିଲେ ବାହାରି

ତାମାଡୋରା ସଙ୍ଗେ

ସରବେ ମାତି ।

 

(୩୦)

ବହୁଛି ଉଚ୍ଛନ            ବଇଶାଖ ଝାଞ୍ଜି

ବଣ ପାହାଡ଼ରେ

ଲାଗିଛି ନିଆଁ

ପ୍ରତିହିଂସାନଳ            ଜଳୁଛି ହୃଦୟେ

କୋୟା ଯୁବା ଆସି

ହୋଇଲେ ଠିଆ ।

 

(୩୧)

ଦେବୀଙ୍କ ସିନ୍ଦୂର            କପାଳରେ ମାରି

ଚାଲନ୍ତି ଦରପେ

ସକଳ ବୀର

ଶତ୍ରୁ ରକତରେ            ଘେନିବେ ଚିତା ସେ

ଧରି ଧନୁ ହାତେ

ଯୋଖିଲେ ତୀର ।

 

(୩୨)

ସବୁରି ଆଗରେ            ଚାଲେ ତାମାଡୋରା

ପକାଇ ପାହୁଲ ଫୁଲାଇ ନିଶ

ଶତ ଶତ କୋୟା-            ଯୁବକ କୁହାଟେ

ଜାଗେ ବନସ୍ଥଳୀ

କମ୍ପଇ ଦିଶ ।

 

(୩୩)

ପୋଦିଆ ପୁଲିସ-            ଥାନା ଚାରିପଟେ

କଲେ ସେ ଘେରାଉ

ରହିଲେ ଛକି

କାପୁରୁଷ ହୀନ            ଦାରୋଗା ସିପାହି

ଧାଇଁ ଏଣେ ତେଣେ

ପଡ଼ିଲେ ଥକି ।

 

(୩୪)

ନ ପାଇଲେ ବାଟ            ଯିବାକୁ ପଳାଇ

ଥାନାହତା ଡେଇଁ

ଜୀବନ ଘେନି

ଯହିଁ ଗଲେ ତାଙ୍କୁ            ଗୋଡ଼ାଇଲା ଅବା

ତାମାଡୋରା ନିଆଁ-

ନୟନ ବେନି ।

 

(୩୫)

ଫୁଟିଲା ବନ୍ଧୁକ            ବରଷିଲା ତୀର

ତାମାଡୋରା କେବେ

ଶିଖିନି ଡରି

ଚାହୁଁ ଚାହୁଁ ସାତ            ମୁଣ୍ଡ ଲୋଟିଗଲା

ଘାସ ନାଲି ହେଲା

ରକତ ଝରି !

 

(୩୬)

ଛ’ଜଣ ସିପାହି            ଅତି ଅତ୍ୟାଚାରୀ

ସାଙ୍ଗରେ ପୁଲିସ

ଦାରୋଗା ଜଣେ

ତାମାଡୋରା ଶର-            ଆଘାତେ ସେଠାରେ

ଚିରଦିନ ପାଇଁ

ଶୋଇଲେ ରଣେ ।

 

(୩୭)

କି ହେଲା କି ହେଲା !            ପ୍ରବଳ ପ୍ରତାପୀ

ଇଂରେଜ ଶାସନେ

ଏ କି ଘଟଣା

ବଣୁଆ ଜାତିର            ମଣିଷ ଗୋଟାଏ

ସବୁରି ବୁଦ୍ଧିକୁ

କରିଲା ବଣା !

 

(୩୮)

ହାଇଦରାବାଦ            ସୈନ୍ୟ ଛାଉଣିରୁ

ଗୋରା ସେନାପତି

ଆସିଲେ ତହୁଁ

ଆଣିଲେ ସଙ୍ଗତେ            ଶହେ ଜଣ ଫୌଜ

ତାମାଡୋରା ସଙ୍ଗେ

ଯୁଝିଲେ ବହୁ ।

 

(୩୯)

ଦେଖିଲେ ସହଜ            ନୁହେ ସେ ଆଦିମ

ଅନାର୍ଯ୍ୟ କୋୟାର

ବଳ ସାହସ

ହାରିଯାଇ କଲେ            ଲାଜେ ପଳାୟନ

ଗୋରା ସେନାପତି

ହୋଇ ବିରସ ।

 

(୪୦)

ମଇ ମାସ ଛଅ            ତାରିଖ ସେ ଦିନ

ଅଠରଅଶୀ

ବିଦେଶୀ ସାଲ

ବିଜୁଳି ସମାନ            ବ୍ୟାପିଲା ଖବର

ଚାଲେ କୋୟାବୀର

ଜାଳି ମଶାଲ ।

 

(୪୧)

ପର୍ବତେ ପର୍ବତେ            ଜଳିଲା ଦିହୁଡ଼ି

ବାଜିଲା ଟମକ

ମହୁରୀ ବାଜା

‘ଜୟ ତାମାଡୋରା’            ଶୁଭିଲା ଶବଦ

‘ମାଲକାନଗିରି

ମୁଲକ-ରାଜା’ ।

 

(୪୨)

ନିଆଁଗିରି, ଆତ୍ମା-            କୋଣ୍ଡା, ବଜ୍ରକୋଣ୍ଡା,

ଜୋଡ଼ାକୋଣ୍ଡା ପୁଟା-

ସିଙ୍ଗି ଶବର

ଜାଳିଲେ ଦିହୁଡ଼ି            ଅତି ଉଲ୍ଲାସରେ

ପାଇ ତାମାଡୋରା-

ଜୟ ଖବର ।

 

(୪୩)

ଓଡ଼ିଶା ରାଇଜେ            ସବୁଠାରୁ ଉଚ୍ଚ

ଦୁଧାରୀ ପର୍ବତ

ଯାଆଁଳା ଭାଇ

ସବୁରି ଉର୍ଦ୍ଧ୍ୱରେ            ପଚାରିଲେ ଅବା

ତାମାଡୋରା ଜୟ-

ଗୀତିକା ଗାଇ ।

 

(୪୪)

ବଂଶଧାରା ନାଗ-            ବଲ୍ଲୀ ଦୁଇ ନଦୀ

ମଝିରେ ପର୍ବତ

କୈଳାସ କୋଟା

ନଦୀ ଗିରି ବନ            ପଶୁ ପକ୍ଷୀ ନର

ଗାଇବାକୁ ଜୟ

ହେଲେ କି ଗୋଟା !

 

(୪୫)

ଗଲା ସେ ଶବଦ            ଡେଇଁ ଗ୍ରାମେ ଗ୍ରାମେ

ରମ୍ପେଲୁଗୁଡ଼ାରୁ

ପୁରୁଣା ପାଣି

କୋରାପୁଟ ଜୟ-            ପୁର ରାୟଗଡ଼ା

ବିଷମକଟକେ

ଗଲା ସେ ବାଣୀ ।

 

(୪୬)

ନବରଙ୍ଗପୁର            ଗୁଣୁପୁରଠାରେ

ଶୁଣିଲେ ବାରତା

ଚକିତ ଜନ

କଳାହାଣ୍ଡି ପୁଣି            ବସ୍ତର ରାଇଜେ

ତାମାଡୋରା ନାମ

ହୋଇଲା-ଧନ୍ୟ ।

 

(୪୭)

ମୁକତି ନିଶ୍ୱାସ            ମାଇଲେ ଅବଳା

ଶିଶୁଏ ଖେଳିଲେ

ହରଷ ଚିତ୍ତ

‘ମାଲକାନ ଗିରି-            ମୁଲକର ରାଜା’

ତାମାଡୋରା ନାମେ

ଗାଇଲେ ଗୀତ ।

 

(୪୮)

କୋୟା ଯୁବକର            ବୃଷଭ ଲଢ଼େଇ

ନାଚବାଜା ସଙ୍ଗେ

ଦିଶିଲା ତୋରା

ଅବା କରୁଛି ସେ            ଲଢ଼େଇ ଭୀଷଣ

ବେଶ ପିନ୍ଧି ହୁଏ

ମହିଷ ଯୋଡ଼ା ।

 

(୪୯)

ମୁଣ୍ଡରେ ପିନ୍ଧିଛି            ବୃଷଭର ଶିଙ୍ଘ

ମହିଷ ଶିଙ୍ଘରୁ

ଦୁଇଟା ଅବା

ପାଦ ପକାଉଛି            ବାଜା ତାଳେ ତାଳେ

ନାଚେ ଯୁଦ୍ଧ ନାଚ

ଦିଶଇ ଶୋଭା ।

 

(୫୦)

ଫଟା ଦିଶେ ସିନା            ମହଷିର ଶିଙ୍ଘ

ଯୁଝିଲା ବେଳକୁ

ହୁଏ ଗୋଟାଏ

କୋୟା ଯୁବା ବୁଝେ            ଏ କଥା ମରମ

ବଞ୍ଚେ ସେହିପରି

ମରିବାଯାଏ ।

 

(୫୧)

ଆବର ବୁଝନ୍ତି            ଏ କଥା ମରମ

କୋରାପୁଟ ଜିଲା

କୋୟା ଯୁବତୀ

ବାହୁରେ ବାହୁକୁ            ଛନ୍ଦି ଦଳେ ଦଳେ

ଗୋଲାକାରେ ନାଚି

କରନ୍ତି ଗତି ।

 

(୫୨)

କରି ହାସ ରୋଳ            ଗାଆନ୍ତି ସେ ଗୀତ

ବାଜୁଥାଏ ଢୋଲ

ପାହେ ଯେ ରାତି

ସେ ଗୀତ ଭିତରେ            ତାମାଡୋରା ନାମ

ଶୁଣିବା ଲୋକର

ଉଲୁସେ ଛାତି ।

 

(୫୩)

ପରଜା ଶବର            କୋୟା କନ୍ଧ ମିଳି

କହନ୍ତି, ‘‘ସାବାସ୍‌

ସାବାସ୍‌ ପୁଅ

‘‘ବଣୁଆ ଜାତିର            ହସ ଫୁଟାଇଲୁ

ଉପରକୁ କଲୁ

ଆମରି ମୁହଁ ।’’

 

(୫୪)

ତାମାଡୋରା ଗୀତ            ଗାଆନ୍ତି ପକ୍ଷୀଏ

ପର୍ବତ କନ୍ଦରେ

ବନଗହଳେ

ଧନ୍ୟ ରେ ସାହାସ            ଉଛୁଳିଲା ଯଶ

କୋରାପୁଟ ଜିଲ୍ଲା-

ସରିତ ଜଳେ ।

 

(୫୫)

ମାଛକୁଣ୍ଡ ପାଣି            ପଡ଼ିଲା ଉଜାଣି

ପର୍ବତ ଉପରୁ

ଗର୍ଜି ଭୀଷଣ

ବିଞ୍ଚିଲା ଅୟୁତ            ବିଜୁଳି ଶକତି

ମୁଖର କରି ସେ

ଘୋର ଅରଣ୍ୟ ।

 

(୫୬)

ଇନ୍ଦ୍ରବତୀ, ନାଗ-            ବଲ୍ଲୀ କୋଲାବରେ

ଶୁଣିଲା କୁମ୍ଭୀର

ଚକିତ ହୋଇ

ଜୀବନ ବିକଳେ            ଗଭୀର ଜଳରେ

ଲୁଚାଇ ଶରୀର

ରହିଲା ଶୋଇ ।

 

(୫୭)

ମହାବଳ ବାଘ            ଲୁଚିଲା ଭୟରେ

ବିଷମକଟକ

ଘୋର ବନସ୍ତେ

କୃଷ୍ଣସାର, କ୍ଷୁଦ୍ର            ଖୁରଙ୍ଗ, ଶମ୍ୱର

ନିର୍ଭୟେ ପିଇଲେ

ଜଳ ସମସ୍ତେ ।

 

(୫୮)

ବଳିଆ କୁକୁର            ଦଳ ବାନ୍ଧି ଚାଲେ,

ବଳିମେଳା ବନେ

ବନ୍ୟ ମହିଷ

ତାମାଡୋରା ନାମ            ଶୁଣି ଥକା ହୋଇ

ରହନ୍ତି କିବା ସେ

ନ ଦିଶେ ଦିଶ !

 

(୫୯)

ଦୁଇ ମାସ ପାଇଁ            ତାମାଡୋରା ହେଲା

ମାଲକାନ ଗିରି

ତାଲୁକା ରାଜା

ଦୁଇ ମାସ ପାଇଁ            କୋୟା ଯୁବକର

ଦେହ ମନ ବଡ଼

ରହିଲା ତାଜା ।

 

(୬୦)

ଆସିଲେ ତା’ପରେ            ସିପାହି ଫଉଜ

ବହୁତ ସଂଖ୍ୟାରେ

ସେଠାକୁ ଧାଇଁ

ଲାଗିଲା ଲଢ଼େଇ            ଶେଷେ ତାମାଡୋରା

ରମ୍ପା ଜଙ୍ଗଲରେ

ଲୁଚିଲା ଯାଇଁ ।

 

(୬୧)

ଡାକିଲେ ଫଉଜ,            ‘‘ଧରା ଦିଅ ଆପେ

ନୋହିଲା ନିଶ୍ଚୟ

ଯିବଟି ପ୍ରାଣ ।’’

ଶୁଣି ସେ ଡାକରା            ନ ଦିଅଇ ଧରା,

ତାମାଡୋରା ଛାତି

ଲୁହାରୁ ଟାଣ ।

 

(୬୨)

ସେ ଛାତି ଉପରେ            ଫଉଜର ଗୁଳି

ବସି ଛୁଟାଇଲା

ରକତ ସୁଅ

ତେବେ ତାମାଡୋରା      ଦେଲା ନାହିଁ ଧରା

ନୁଆଁଇଲା ନାହିଁ

ତେବେ ତ ମୁହଁ ।

 

(୬୩)

ଦେଖାଇଲା ସେ ତ            କୋୟା ଯୁବକର

କାମ ପରି ଏକା

କଥା ଗୋଟାଏ

ସ୍ୱାଧୀନତା-ମହୁ            ଜନ୍ମରୁ ଚାଖି ସେ

ବଞ୍ଚିଲା ସେପରି

ମରିବାଯାଏ ।

 

(୬୪)

ଅନ୍ଧାରି ମୁଲକେ            ଜାଳିଲା ଆଲୁଅ

ନିଭେ ନାହିଁ ଯାହା

ଗୁଳି ବନ୍ଧୁକେ

ସୁନାଦୀପେ ସେହି            ଆଲୁଅ ଜଳଇ

ଦୁନିଆ ଯାକର

ମଣିଷ ବୁକେ ।

 

(୬୫)

ମାଲକାନ ଗିରି            ଟାଙ୍ଗରା ଭୂଇଁରେ

ଫୁଟାଇଲା ସେ ତ

ଜୀବନ-ଫୁଲ

ମାଲକାନ ଗିରି            ତାଲୁକା ବିକିଲେ

ନ ଅଣ୍ଟିବ ତା’ର

ହେବାକୁ ମୂଲ ।

 

(୬୬)

ମୁକୁଟ-ବିହୀନ            ରାଜା ହୋଇଥିଲା

ବୀର ତାମାଡୋରା

ଦିନେ ତ ଏକା

ଦୁଇ ମାସପାଇଁ            ହେଉ ପଛେ ତାହା

ଇତିହାସେ ନାମ ରହିଲା ଲେଖା ।

 

ଅହିଂସା ସମର

ଲାଗିଛି ଜଗତେ

କେତେ ଯେ ଲଢ଼େଇ

କିଏ ସେ ପାରିବ କହି

ସୃଷ୍ଟିର ଆଦିମ

କାଳୁଁ ଏହି ଲୀଳା

ଚଳେ ଯୁଗେ ଯୁଗେ ବହି ।

ପଶୁ ପକ୍ଷୀ କୀଟ

ପତଙ୍ଗ ମଧ୍ୟରେ

ବେଶି ଯେହୁ ବଳବାନ

ଦୁର୍ବଳକୁ ସେହୁ

କରଇ ଆହାର

ଏ ତ ସଂସାର-ବିଧାନ ।

ମଣିଷ ଭିତରେ

ବେଶି ବଳବାନ

ବେଶି ବୁଦ୍ଧିମାନ ଯେହୁ

ନାନା ରୂପେ ରକ୍ତ

କରେ ସେ ଶୋଷଣ

ମୂର୍ଖ ଦୁର୍ବଳର ଦେହୁ ।

ନାନା ଉପାୟରେ

ଧନ ଶୋଷି ତାକୁ

କରଇ ଦାଣ୍ଡ-ଭିକାରୀ

ହୋଇ ହୀନମାନ

କେତେ ଦୁଃଖୀ ଜନ

ନୟନୁଁ ବୁହାନ୍ତି ବାରି ।

ବାହୁ ବଳେ କେହି

ଦେଶ ଜୟ କରି

ମାରନ୍ତି ଅପର ଜନେ

କେତେ ଘର ଲୁଟି

ବଢ଼ାନ୍ତି ସେ ପାଣ୍ଠି

ବସନ୍ତି ରାଜା-ଆସନେ ।

ମହାବୀର ବୋଲି

ଲଭନ୍ତି ଖ୍ୟାତି ସେ

ଇତିହାସ ଘୋଷେ ଯଶ;

କେତେ ରକ୍ତ ଢାଳେ

ଏଥିଲାଗି ନର

ହୋଇ ସିନା ଲୋଭବଶ ।

ଦୁର୍ବଳକୁ ମାରି

ବଡ଼ ହେବା ପାଇଁ

ଆଜି ବି ଧାଇଁଛି ନର

ଛାଡ଼ି ନାହିଁ ସେହି

ପୁରୁଣା ଅଭ୍ୟାସ

ପଶୁ ପକ୍ଷୀ ଜୀବଙ୍କର ।

ପୋଥି ପାଠ ସବୁ

ପୋଥିରେ ରହିଛି

ଶିଖିନି ମଣିଷ ତହୁଁ

ଆଜି ବି ଆପଣା

ଭିତରେ ଲଢ଼େଇ

କରୁଅଛି କହୁଁ କହୁଁ ।

ବୋଲାଉଛି ସଭ୍ୟ

ସବୁଠାରୁ ବଡ଼

ମାରଣ-ଅସ୍ତ୍ର ତିଆରି

ଏକାଥରେ ଯେଉଁ

ଆଣବିକ ବୋମା

ପାରେ ବେଶୀ ଲୋକ ମାରି ।

 

ଆରମ୍ଭ ହୋଇଲା

ପୃଥିବୀରେ ଯେବେ

ଦ୍ୱିତୀୟ ମହାସମର

ମନେ ପଡ଼େ ଦୁଃଖେ

ହେଲେ ଅଭିଭୁତ

ମହାତ୍ମା ଗାନ୍ଧୀ ଆମର ।

ନିରୀହ ଜନର

ଉପରେ ଆକାଶୁଁ

ବୋମା ବରଷଣ କଥା

ଭାବି ତାଙ୍କ ପ୍ରାଣ

ଉଠିଥିଲା କାନ୍ଦି

ପାଇ ଗୁରୁତର ବ୍ୟଥା ।

ହିଟଲର ଠାରୁ

ଅଧିକ ନୃଶଂସ

ପୁଣି ବେଶି ବଳୀୟାର

ହୃଦୟ ବଦଳି

ପାରେ, କହିଥିଲେ

ଅହିଂସାର ଅବତାର ।

ହିଂସା ବୃତ୍ତି ଅଟେ

ପଶୁ ଜଗତର

ପ୍ରକୃତିଗତ ବିଧାନ

ମଣିଷ ଜନମ

ଲଭି ପଶୁ ସଙ୍ଗେ

କିପରି ହେବ ସମାନ !

ହିଂସା-ପଶୁବୃତ୍ତି

ବିରୁଦ୍ଧରେ ତହୁଁ

ତୋଳିଲେ ସେ ପ୍ରତିବାଦ

ଘୁଞ୍ଚାଇବା ପାଇଁ

ମାନବ ସମାଜୁଁ

ଦୁଃଖ ଭୟ ଅବସାଦ ।

ଅହିଂସା-ସମର

କଲେ ଆବିଷ୍କାର

ଅତି ଅଭିନବ ଅସ୍ତ୍ର

ନ ମାରି ଜୀବନେ

ଯୋଗାଇ ପାରେ ଯେ

ଦୀନ ଜନେ ଅନ୍ନବସ୍ତ୍ର ।

ଯୁଗ ଯୁଗ ଧରି

ଥିଲା ପରାଧୀନ

ଜନମଭୂମି ଭାରତ

ସେହି ଅସ୍ତ୍ର ବଳେ

ସ୍ୱାଧୀନତା ଜିଣି

ଚକିତ କଲେ ଜଗତ ।

ସେହି ଅସ୍ତ୍ର ବଳେ

ରୁଧିର-ବିହୀନ

ସମର ଚାଲିଲା ଦେଶେ

ଅହିଂସାର ଅଗ୍ନି

ଜଳି ଉଠିଥିଲା

ସ୍ୱାଧୀନତା ଆଣି ଶେଷେ ।

ଅହିଂସାର ଗୀତ

ଘରେ ଘରେ ପୁଣି

ଶୁଭିଲା ଚରଖା ବୁଲି

ଝାସିଲେ ଜୀବନ

ଅହିଂସା-ସମରେ

କେତେ ଧନୀ ରଙ୍କୀ କୁଲି ।

ଭୁଲିଲେ ବିଳାସୀ

ବିଳାସ ବ୍ୟସନ

ଦରିଦ୍ର ଭୁଲିଲେ ଦୁଃଖ

ସହିଲେ ସକଳ

କଷଣ ଦୂଷଣ

ବହିଲେ ହରଷ ମୁଖ ।

ନାରୀଏ ତେଜିଲେ

ଦେହର ଭୂଷଣ

ଦେଶ-ସ୍ୱାଧୀନତା ପାଇଁ

ଜାଲିଲେ ବିଦେଶୀ

ବସନ, ପିନ୍ଧିଲେ

ମୋଟା ଖଦୀ ସୁବଠାଇଁ ।

ବିଦେଶୀ ଶାସକ

କଲେ ଅତ୍ୟାଚାର

ପ୍ରହାରିଲେ ବନ୍ଦୀ ଘରେ

ଅହିଂସା-ସୈନିକ

ନ ଦେଖାଏ କ୍ରୋଧ

ସହେ ସବୁ ନୀରବରେ ।

ଧନ୍ୟ ଧନ୍ୟ କଲା

ଜଗତ ଦେଖି ସେ

ଅଦଭୁତ କଉଶଳ

ହସୁଥିଲେ ଯେହୁ

ବୁଝିଲେ ସେ ପଛେ

କି ଅସୀମ ତାର ବଳ ।

ହିଂସାଠାରୁ ବଳି

ଅହିଂସା ଶକତି

ବୁଝିଲେ ସକଳ ଜନ

ପାରିଲା ହଟାଇ

ମହା ପରାକ୍ରମୀ

ଯେହୁ ଇଂରାଜୀ ଶାସନ ।

ଅହିଂସାର ଡାକ

ଶୁଭିଲା ଭାରତେ

ସକଳ ନିଭୃତ ସ୍ଥାନେ

ଉଛୁଳିଲା ଗ୍ରାମ

ବିଲ ବନ ଆଦି

ନୂତନ ଅହିଂସା-ଗାନେ ।

କୁଟୀର ପ୍ରାସାଦ

ଉଛୁଳି ପଡ଼ିଲା

ଶୁଣି ସେ ସଂଗ୍ରାମ ଡାକ

ହିମାଳୟ ଠାରୁ

କୁମାରିକା ଯାଏ

କମ୍ପିଗଲା ଦେଶଯାକ ।

ଉଛୁଳିଲା ବଙ୍ଗ

ଆସାମ ଉତ୍କଳ

ଦ୍ରାବିଡ଼ କର୍ଣ୍ଣାଟ ଦେଶ

ପଞ୍ଜାବ ବିହାର

ଗୁଜରାଟ ବମ୍ବେ

ଉତ୍ତର, ମଧ୍ୟ ପ୍ରଦେଶ ।

ଅହିଂସା-ସମରେ

ସେନାପତି ଗାନ୍ଧୀ

ଚାଲିଲେ ସବୁରି ଆଗେ

କହିଲେ, ‘‘ଅହିଂସା-

ବୃକ୍ଷରେ କଦାପି

ହିଂସା-ଗୁଳି ନାହିଁ ଲାଗେ ।

‘‘ଗୁଳି ବନ୍ଧୁକରେ

ଦେହ ସିନା ମରେ

ଆତ୍ମା ଯେ ରହେ ଅମର

‘‘ସେ ଆତ୍ମା-ବିଶ୍ୱାସ

ଦୃଢ଼େ ଧରି ହୃଦେ

କରିବା ଆସ ସମର ।

‘‘ହିଂସା ବଦଳରେ

ଜାତ ହୁଏ ହିଂସା

ମରେ ଅକାରଣ ପ୍ରାଣୀ;’’

ନଗର ପଲ୍ଲୀରେ

ପ୍ରାସାଦ କୁଟୀରେ

ଶୁଭିଲା ଅହିଂସା-ବାଣୀ ।

କଲେ ଅକାତରେ

ଶତ ଶତ ବୀର

ଧନ ପ୍ରାଣ ବିସର୍ଜନ

ଉତ୍କଳେ ଉତ୍କଳ-

ମଣି ଗୋପବନ୍ଧୁ

ବଙ୍ଗରେ ଚିତ୍ତରଞ୍ଜନ ।

ଯୁବକ ସୁଭାଷ

ଦେଖାଇ ସାହସ

ତେଜିଲେ ଜୀବନ ଶେଷେ

ଗଢ଼ିଲେ ଜାତୀୟ

ସେନାଦଳ, ନିଜେ

ଲଢ଼ିଲେ ସୈନିକ ବେଶେ ।

ଧନେ ମାନେ ଜ୍ଞାନେ

ବୀର ମୋତିଲାଲ

ପୁତ୍ର କନ୍ୟା ପରିବାର

ଘେନି ସମସ୍ତଙ୍କୁ

ଅହିଂସା-ସମରେ

ହୋଇଥିଲେ ଆଗୁସାର ।

ବିହାରେ ରାଜେନ୍ଦ୍ର-

ପ୍ରସାଦ, ଗୁର୍ଜରେ

ସର୍ଦ୍ଦାର ପଟେଲ ନେତା

ବର୍ଦ୍ଦୋଳି କୃଷକ

ସଂଗଠନ ଆଗ

ହୋଇଲେ ସମରେ ଜେତା ।

ରାଜସ୍ୱ ବୃଦ୍ଧିର

ପ୍ରତିବାଦ କରି

ବର୍ଦ୍ଦୋଳି-କୃଷକ-କୁଳ

ନ ଦେଇ ଖଜଣା

ଦୋହଲାଇ ଦେଲେ

ବିଦେଶୀ ଶାସନ ମୂଳ ।

ଚକ୍ରବର୍ତ୍ତୀ ରାଜ-

ଗୋପାଳାଚାରୀ ସେ

ମାନ୍ଦ୍ରାଜ-ଅଧିନାୟକ

ସେନାପତିଡାକେ

ଆସିଲେ ରଣକୁ

ଘେନି ଅହିଂସା-ସାୟକ ।

ସକଳ ଗୁଣରେ

ଗୁଣୀ ମୋତିଲାଲ-

ତନୁଜ ଜହରଲାଲ

ଛିଡ଼ା ହେଲେ ଆସି

ସେନାପତି ପାଶେ

ଭାରତ-ମାତା-ଦୁଲାଳ ।

ଶଇଶବେ ଯେହୁ

ହୋଇଲେ ଲାଲିତ

ରାଜାର ବିଳାସସୁଖେ

ଦେଶ ପାଇଁ ବନ୍ଦୀ-

ଶାଳ ସେ ବରିଲେ

ସହିଲେ କଷଣ ବୁକେ;

ମୋତିଲାଲଙ୍କର

ଆନନ୍ଦ ଭବନ

ରାଜପ୍ରାସାଦରୁ ବଳି

ତହିଁ ଜନ୍ମ ଲଭି

ଦେଶପାଇଁ ଦେଲେ

ସବୁ ସୁଖେ ଜଳାଞ୍ଜଳି ।

ଭଗିନୀ ବିଜୟ-

ଲକ୍ଷ୍ମୀ, ପୁଣି କୃଷ୍ଣା,

କମଳା ନେହେରୁ ଜାୟା

ଜନନୀ ‘ସ୍ୱରୂପା’

ରାଜରାଣୀ ସମା

ତୁଟାଇଲେ ଦେହୁଁ ମାୟା ।

ଜାତିର ଦୁଲାଳ

ଜବାହରଲାଲ

ଦେଖାଇଲେ ଯେଉଁ ପଥ

ମାତା ପିତା ଭଗ୍ନୀ

ପତ୍ନୀ କଲେ ତାକୁ

ଜୀବନର ମହାବ୍ରତ ।

ହେଉଥିଲା ଶ୍ରମ

ଦିନେ ଯାହାଙ୍କର

ଚଢ଼ି ଗାଡ଼ି ଘୋଡ଼ା ଯାନେ

ପାଦେ ଚାଲି ଦେଶ-

ବାସୀଙ୍କ ସଙ୍ଗତେ

ବାହାରିଲେ ସେହିମାନେ ।

ଧୂଳିରେ ମଳିନ

ହୋଇଲା ଶରୀର

ସହିଲେ ବରଷା ଖରା

ହଟାଇବା ପାଇଁ

ବିଦେଶୀ ଶାସନ

ହେଲେ ସର୍ବେ ଆତ୍ମହରା ।

ପଞ୍ଜାବ-କେଶରୀ

ଲାଲା ଲାଜପତ

ସାହସେ ଅତୁଳନୀୟ

ପୁଲିସ ଲାଠିରେ

ହରାଇଲେ ପ୍ରାଣ

ହେଲେ ଭାରତର ପ୍ରିୟ ।

ବିଦେଶୀ ଶାସକ

କଲେ ଯେତେ ବନ୍ଦୀ

ଚଲାଇଲେ ଲାଠି ଗୁଳି

ହିଂସା ବଦଳରେ

ପ୍ରତିହିଂସା କଥା ।

ଗଲେ ତ ସକଳେ ଭୁଲି ।

ଅହିଂସା-ମନ୍ତ୍ରଟି

ହେଲା ଜୀବନର

ଏକମାତ୍ର ମହା ଧ୍ୟାନ

ସେହି ମନ୍ତ୍ରବଳେ

ଭାରତ ସନ୍ତାନ

ସର୍ବେ ହେଲେ ବଳୀୟାନ ।

ସେହି ମନ୍ତ୍ରବଳେ

ଅଶୋକ ରାଜନ

ଜିଣିଥିଲେ ଦିନେ ଧରା

ତରବାରୀ ଜୟ-

ଠାରୁ ହୃଦୟର

ଜୟ ବଡ଼ ହେଲା ପରା !

ସେହି ମନ୍ତ୍ରବଳେ

ବୁଦ୍ଧ ଯୀଶୁ ଆଜି

ଅଛନ୍ତି ଅମର ହୋଇ

ସେହି ମନ୍ତ୍ର ଗାନ୍ଧି

ଉଚ୍ଚାରି ଭାରତୁଁ

ଦେଲେ ସବୁ ପାପ ଧୋଇ ।

ଜାଗିଲା ଭାରତ

ନୂତନ ତେଜରେ,

ଉଇଁଲା ସୁଖର ରବି,

ଉକୁଟି ଉଠିଲା

ସୁବରି ନୟନେ

ନବ-ସ୍ୱାଧୀନତା-ଛବି ।

ନୂତନ ଜୀବନ

ଲଭିଲା ସତେ କି

ଭାରତର ଜଳସ୍ଥଳ !

ଅହିଂସା-ଅସ୍ତ୍ରରେ

ବିଦେଶୀ ଶାସନ

ଶେଷେ ହେଲା ଟଳମଳ ।

ଭାରତର ଶ୍ରେଷ୍ଠ

ନେତାଙ୍କ ହସ୍ତରେ

ସମର୍ପି ଶାସନ ଭାର

ଘେନିଲେ ବିଦାୟ

ଇଂରେଜ ଏ ଦେଶୁଁ

ଭାବ ରଖି ବନ୍ଧୁତାର ।

ଊଣେଇଶ ଶତ-

ଚାଳିଶ ମସିହା

ଅଗଷ୍ଟ ପନ୍ଦର ଦିନ

ଅହିଂସା ଯୁଦ୍ଧର

ହୋଇଥିଲା ଜୟ

ଭାରତ ହେଲା ସ୍ୱାଧୀନ ।

ମହାତ୍ମା ଗାନ୍ଧିଙ୍କ

ପ୍ରିୟତମ ଶିଷ୍ୟ

ନେହେରୁ ଶ୍ରୀ ଜବାହର

ପ୍ରଧାନ ସଚିବ

ହୋଇ କରୁଛନ୍ତି

ସୁଶାସନ ଭାରତର ।

ସ୍ୱାଧୀନତା ପରେ

ଅହିଂସା ଯୁଦ୍ଧର

ହୋଇ ତ ନାହିଁ ବିରତି

ଚଳାନ୍ତି ତାହାକୁ

ଜବାହାରଲାଲ

ଭାରତର ସେନାପତି ।

ଅଶିକ୍ଷା ଦାରିଦ୍ର୍ୟ

କରିବାକୁ ଦୂର

ଲାଗିଛି ସମର ପୁଣି

ଶୋଷଣ ନୀତିରେ

କେହି କାହା ରକ୍ତ

ନ ପିଇବେ ଆଉ ଝୁଣି ।

ପର ତଣ୍ଟି ଚିପି

ହେବେ ନାହିଁ ଧନୀ

କେହି ଭାରତଭୂମିରେ

ବୋଲାଇବେ ନାହିଁ

ପଣ୍ଡିତ ପବିତ୍ର

ପାଦ ରଖି ଆନ ଶିରେ ।

ଆନକୁ ଅଛୁଆଁ

ମୂରୁଖ ଗରିବ

ନ କରି ଥୋକାଏ ଲୋକ

ଆପେ ଆରାମରେ

ରହି ପର ପାଇଁ

ନ ଆଣିବେ ଭୋକ ଶୋକ ।

ପୋକ ମାଛି ପରି

ନ ମରିବେ କେହି

ମହାମାରୀ ମଡ଼କରେ

ବିରାଜିବ ସ୍ୱାସ୍ଥ୍ୟ

ସମ୍ପଦ ଅତୁଳ

ପୁର ପଲ୍ଲୀ ଘରେ ଘରେ ।

କେତେ ନୂଆ ନୂଆ

ପଥ, ବନ୍ଧ, ପୋଲ

କଳ କାରଖାନାମାନ

ଦେଶ-ବାସୀ ଘର୍ମେ

ଏହି ଦେଶ ଧନେ

ହେଉଛି ଆଜି ନିର୍ମାଣ ।

ସବୁରି ସମାନ

ଦାବୀ ଅଛି ତହିଁ

ସବୁରି ସମାନ ଅଂଶ

ପୁରୁଷାନୁକ୍ରମେ

ଭୋଗ କରୁଥିବେ

ଦେଶବାସୀଙ୍କର ବଂଶ ।

ଏହି ଆଦରଶ

ଫଳାଇବା ପାଇଁ

ଲାଗିଛି ଅହିଂସା-ରଣ

ସେହି ରଣେ ସେନା-

ପତି ଜବାହାର

ଲଢ଼ୁଛନ୍ତି ପ୍ରାଣପଣ ।

ଫଉଜ ତାଙ୍କର

ଚାଲିଛନ୍ତି ପଛେ

କୋଟି କୋଟି ଦେଶବାସୀ

ଯହିଁଗଲେ ତହିଁ

ଲକ୍ଷ ଲକ୍ଷ ଲୋକ

ରୁଣ୍ଡ ହେଉଛନ୍ତି ଆସି ।

ଲକ୍ଷ ଲକ୍ଷ ଆଖି

ଚାହିଁଛି ତାହାଙ୍କୁ

ସର୍ବଦା ଆଶାୟୀ ହୋଇ

କେଉଁ ନୟନରେ

ହସ ଉଠେ ଫୁଟି

କାହୁଁ ଲୁହ ଯାଏ ବୋହି ।

ଦୁଃଖୀ ଜନ ଦୁଃଖ

ଘୁଞ୍ଚାଇବା କର୍ମେ

କେହି ବାଧା ସୃଷ୍ଟି କଲେ

ଚାଲିଛି ଲଢ଼େଇ

ଜିଣିବାକୁ ତାକୁ

ଅହିଂସା ଉପାୟ ବଳେ ।

 

ପ୍ରାଚୀନ ସଭ୍ୟତା

ଘୋଷେ ଜୟ ଯେଉଁ

ଏସିଆ ମହାଦେଶର

ବିଦେଶୀ ଶାସକ

କେତେକାଳୁଁ ତହିଁ

ରଖିଥିଲେ କରି ଘର ।

ଏବେ ଏସିଆର

ସବୁ ଦେଶ ଲୋଡ଼େ

ସ୍ୱାଧୀନ ହୋଇବା ପାଇଁ

କେତେ ଦେଶ ଲଢ଼ି

ହୋଇଛି ସ୍ୱାଧୀନ

ଆଉ କେତେ ହୋଇ ନାହିଁ ।

ସେଥି ଲାଗି ଯୁଦ୍ଧ-

ଭୟ ଉପୁଜିଛି

ଥରୁଛି ପୃଥିବୀମୟ

କେତେ ଘରଦ୍ୱାର

ଜଳି ପୋଡ଼ିଯିବ

କେତେ ହେବ ଲୋକ କ୍ଷୟ !

ଜାତି କର୍ଣ୍ଣଧାର

ଜବାହାରଲାଲ

ଅହିଂସା-ଅସ୍ତ୍ରକୁ ବାଛି

ହିଂସା ବିରୁଦ୍ଧରେ

କରୁଛନ୍ତି ରଣ

ଭାରତର ସବ୍ୟସାଚୀ ।

କହିଛନ୍ତି, ଏକ

ଦେଶ ପରେ ଆନ

ଦେଶର ଯେ ଅଧିକାର

ସେ ଅନ୍ୟାୟ କେବେ

ନ ପାରିବେ ସହି,

ଘୋଷିଛନ୍ତି ବାରମ୍ବାର ।

ଗୋଟିଏ ଦେଶର

ଇଚ୍ଛା ବିରୁଦ୍ଧରେ

ଆନର ଜବରଦସ୍ତି

ବରଦାସ୍ତ କେବେ

ନ ପାରିବେ କରି

ଭାରତ-ପ୍ରଧାନ-ମନ୍ତ୍ରୀ ।

ହେଉ ଯେତେ ଶକ୍ତି -

ଶାଳୀ, ଯେଉଁ ଦେଶ

ଭିଆଇବେ ଆଗ ଯୁଦ୍ଧ

ସମର୍ଥନ ତାକୁ

ନ ଦେବ ଭାରତ

ହେଲେ ହେଁ ତାର ବିରୁଦ୍ଧ ।

ଅହିଂସା-ଅସ୍ତ୍ରରେ

ହେବ ସବୁ ଯୁଦ୍ଧ

ଜିଣି, ଏ ବିଶ୍ୱାସ ଧରି

ଅହିଂସା କେବଳ

ପାରେ ପୃଥିବୀରେ

ଶାନ୍ତିର ପ୍ରତିଷ୍ଠା କରି;

ସେହି ଶାନ୍ତି ପାଇଁ

କରନ୍ତି ଲଢ଼ାଇ

ଅହିଂସାର ସେନାପତି

ବଢ଼ାଇ ମହତ

ଧରଣୀରେ ଆଜି

ନବୀନ-ଭାରତ-ରଥୀ ।

ଏସିଆର ପୂର୍ବ-

ପ୍ରାନ୍ତେ ଇନ୍ଦୋଚୀନ

କୋରିଆ ଦୁଇଟି ଦେଶ,

ବିଦେଶୀ କବଳେ

ପଡ଼ି ଯୁଦ୍ଧ କଲେ

ଧନ ଜନ କରି ଶେଷ ।

ବରଷ ବରଷ

ଧରି ସେ ଲଢ଼େଇ

ଚାଲିଲା ଅତି ଭୀଷଣ

ସେ ଦେଶର ଲୋକେ

ସ୍ୱାଧୀନ ହେବାକୁ

କରିଥିଲେ ମୃତ୍ୟୁ ପଣ ।

ସେ ଦୁଇ ଦେଶରେ

ଶାନ୍ତି ଆଣିବାକୁ

ଆଣିବାକୁ ସ୍ୱାଧୀନତା

ଚାହୁଁଛି ଭାରତ,

କହିଥିଲେ ପରା

ପ୍ରଧାନମନ୍ତ୍ରୀ ଏ କଥା ।

ଉଦ୍ୟମେ ତାଙ୍କରି

ସମ୍ଭବିଲା ଶାନ୍ତି

ଇନ୍ଦୋଚୀନ କୋରିଆରେ

ହିଂସା ବିରୁଦ୍ଧରେ

ଅହିଂସାର ବଳ

ଅଧିକ ହେଲା ସଂସାରେ ।

ପୃଥିବୀ ଉପରେ

ଅହିଂସା-ପ୍ରଭାବ

ପଡ଼ିଅଛି ଏହିପରି

ବିଶ୍ୱ ଶାନ୍ତି ପାଇଁ

ଏହି ଅସ୍ତ୍ର ପରେ

ବିଶ୍ୱାସ ଉଠୁଛି ବଢ଼ି ।

ନିରସ୍ତ୍ର ଭାରତ

ଏହି ଅସ୍ତ୍ର ଧରି

ଜୟୀ ଆଜି ଭୂମଣ୍ଡଳେ

ମହା ପରାକ୍ରମୀ

ଶତ୍ରୁକୁ ତାହାର

ଭୟ ନାହିଁ କାହିଁ ପଳେ ।

ବିଶ୍ୱ-ବଳଶାଳୀ

ଶତ୍ରୁକୁ ଜିଣିବ

ଏ ବିଶ୍ୱାସ ତା’ର ଅଛି

ଚିର-ଶାନ୍ତହୀନ

ଜଗତ-ବକ୍ଷରେ

ଅହିଂସା-ସମର ରଚି ।

 

ସିପାହୀ-ବିଦ୍ରୋହ

ମହୋଦଧି ଜଳୁଁ ଉଇଁଲେ

ରବି ଦିଗନ୍ତ କୂଳେ

ରକତର ଛଟା ଚୁମ୍ବିଲା

ବଡ଼ ଦେଉଳ ଚୂଳେ ।

ଉଡ଼ିଲା ପ୍ରଭାତୀ ପବନେ

ନୀଳଚକ୍ର ଉପରେ

ପତିତପାବନ ବାନା ସେ

ଦୀନ-ବେଦନା ହରେ ।

ଦେବଭୂମି ପୁଣ୍ୟ ଉତ୍କଳେ

ଶତ ଶତ ବରଷ

ଉଡ଼ି ସେ ଉପରେ ଘୋଷୁଛି

ଏହି ଜାତିର ଯଶ ।

ଘୋଷୁଛି ଭାରତ ମଣ୍ଡଳେ

ଜୟ ଉତ୍କଳ-ମହୀ

ସବୁ ହିନ୍ଦୁଜାତି-ଜନତା

ମୁଣ୍ଡ ନୁଆନ୍ତି ଯହିଁ ।

 

ଫିଟିଗଲା ସିଂହଦୁଆର

ଦେବଦର୍ଶନ ଲାଗି

ମଙ୍ଗଳଆରତି-କାହାଳୀ-

ଘଣ୍ଟା ଉଠିଲା ବାଜି ।

ସିଂହଦ୍ୱାରେ ଯେଉଁ ଅରୁଣ-

ସ୍ତମ୍ଭ ହୋଇଛି ଉଭା

ତାହାରି ପାରୁଶେ ଯୋଡ଼ିଣ

କର କିଏ ସେ ଯୁବା ?

ବୟସ ଅନ୍ଦାଜ ଚାଳିଶ,

ଦେହେ ଝଟକେ ଜ୍ୟୋତି

ଅପଲକ ନେତ୍ରେ ଚାହିଁଛି

ନୀଳଚକ୍ରର ପ୍ରତି ।

ଭାବୁଛି ଭାବନା କି ଅବା

ରହି ଏକ ଧିଆନେ

ଜଣାଣ କରୁଛି ଗୁହାରି

କିବା ସେହି ତା’ ଜାଣେ ।

ପତିତପାବନ ବାନାରୁ

ଯୋଗେ ଛିଡ଼ିଲା ଖଣ୍ଡେ

ଆଚମ୍ବିତ ଉଡ଼ି ପଡ଼ିଲା

ସେହି ପୁରୁଷ ମୁଣ୍ଡେ ।

ଲାଗିଲା ବିଚିତ୍ର ଜଗତ-

ନାଥ ଆଶିଷ ପାଇ

ମଥାରୁ ଆଣି ସେ ବାନାକୁ

ଧରେ ହୃଦେ ଲଗାଇ ।

ମଙ୍ଗଳଆରତି-ଦର୍ଶନ

ଲାଗି ପଶେ ମନ୍ଦିରେ

ବାଇଶି ପାହାଚ ଉଠଇ

ପାଦ ପକାଇ ଧୀରେ ।

ମନ୍ଦିରସେବକ ସକଳେ

ଛାଡ଼ି ଦିଅନ୍ତି ବାଟ

କେହି ବା ‘ଚନ୍ଦନ ହଜୁରି’

ବୋଲି ମାରେ କୁହାଟ ।

କେହି ବା ‘ଚନ୍ଦନ ହଜୁରି’

ତୁନି ତୁନି ଉଚ୍ଚାରେ

ଯାଆନ୍ତି ପାଖେଇ ସରବେ

ଚାହିଁ ତାହାରି ଆଡ଼େ ।

 

ଜଗନ୍ନାଥଙ୍କର ସେବକ-

ଶିରୀ ମଉଡ଼ମଣି

ଡାକନାମ ‘ଚାଖିଖୁଣ୍ଟିଆ’

ଯୋଦ୍ଧା ମଧ୍ୟରେ ଗଣି;

ଚାଖିବାକୁ ଧାଏଁ ସକଳ

ଦ୍ରବ୍ୟ ପିଲା ଦିନରେ

ତେଣୁ ମାତାପିତା ଡାକନ୍ତି

‘ଚାଖି’ ଅତି ଆଦରେ ।

ଖୁଣ୍ଟିଆ ସେବକ କୁଳରେ

ଜନ୍ମ ମହାନ ବୀର

ଜ୍ଞାନେ ମାନେ ଦାନେ ଉଦାର

ଗୁଣେ ଅତିହିଁ ଧୀର ।

ଜଗନ୍ନାଥଯାତ୍ରୀ ଯାହାଙ୍କ

ପାଦେ ନୁଆନ୍ତି ମଥା

ସେବକ ରୂପରେ ଭକତି

କରେ ହିନ୍ଦୁ-ଜନତା;

ପାଇଛନ୍ତି କାଲି ଖବର

ଗୁରୁତର ସେ ଅତି,

ଭାରତ ଉପରେ ପଡ଼ିଛି

ଆସି ଘୋର ବିପତ୍ତି ।

ବିଦେଶୀ ଇଂରେଜ ଶାସନ

ବିରୁଦ୍ଧରେ ଭାରତ

ଦେଖାଇ ବିକ୍ରମ ଉଠିଛି

ଦମ୍ଭେ ହୋଇ ଜାଗ୍ରତ ।

ଭାରତର ସବୁ ସିପାହୀ

ହିନ୍ଦୁ ପଠାଣ ଜାତି

ତଡ଼ିବେ ବିଦେଶୀ, ସେ ଲାଗି

ମିଳି ହୋଇଲେ ସାଥି ।

ସଇନ-ଛାଉଣି ଭିତରେ

ଜଳି ବିଦ୍ରୋହ-ନିଆଁ

ଦେଶର ସକଳ ସ୍ଥାନକୁ

ସେ ତ ମାରିଛି ଡିଆଁ ।

ପଠାଣ ମୋଗଲ ସିପାହୀ

ରାଜପୁତ ମର୍‌ହଟା

ବିଦେଶୀ ଗୋରାଙ୍କୁ ମାରନ୍ତି

କରି କି ହଟହଟା !

ବିଦେଶୀ ଆଦେଶ ମଣନ୍ତି

ଯେଣୁ ସେ ଅପମାନ

ସ୍ୱାଧୀନ ଭାରତ-ସନ୍ତାନ

ହିନ୍ଦୁ ମୁସଲମାନ ।

 

ମରହଟ୍ଟା ରାଜ୍ୟ ଝାଁସିର

ରାଣୀ ଶ୍ରୀ ଲକ୍ଷ୍ମୀବାଈ

ଚନ୍ଦନ ହଜୁରି ପାଶକୁ

ବାର୍ତ୍ତା ଦେଲେ ପଠାଇ ।

ରାଣୀଙ୍କର ସ୍ୱାମୀ ତନୁଜ

ହାରିଛନ୍ତି ଜୀବନ

ଝାଁସିଗଡ଼ ପାଇଁ ଏବେ ସେ

ରାଣୀ କରନ୍ତି ରଣ ।

ନୋହିଲେ ଇଂରେଜ-ଫଉଜ

ଜିଣି ପଶିବେ ଗଡ଼

ସ୍ୱାଧୀନତାଠାରୁ ତାହାଙ୍କ

ପ୍ରାଣ ନୁହେ ତ ବଡ଼ ।

ପଢ଼ି ସେ ଚିଟାଉ ହଜୁରି

ହୃଦ ଉଠିଲା ଜଳି

ଝାଁସି ଅଭିମୁଖେ ମନସ୍ଥ

କଲେ ଯିବାକୁ ଚଳି ।

ଲକ୍ଷ୍ମୀବାଈଙ୍କର ଜନକ

ମେରୋପନ୍ତଙ୍କ କଥା

ମନେପଡ଼ି ତାଙ୍କ ମରମେ

ଦେଲା ଦାରୁଣ ବ୍ୟଥା ।

ଆସିଥିଲେ କ୍ଷେତ୍ରେ ଯେବେ ସେ

ମରହଟ୍ଟା ବିଶିଷ୍ଟ

ହଜୁରିଙ୍କ ସଙ୍ଗେ ବନ୍ଧୁତା

ବାନ୍ଧିଥିଲେ ଘନିଷ୍ଠ ।

ଝାଁସିର ନରେଶ ସହିତ

ଲକ୍ଷ୍ମୀଙ୍କର ବିବାହ

ହଜୁରିଙ୍କ ମନେ ପଡ଼ିଲା

ହେଲା ଅନ୍ତରଦାହ ।

ନିମନ୍ତ୍ରଣ ପାଇ ବିବାହେ

ଦେଇଥିଲେ ଝାଁସି ରାଜ୍ୟର

ବୀର୍ଯ୍ୟ ବିଳାସଭୋଗ ।

ବିଚାରିଲେ ଆଜି ହେବଣି

ତାହା କି ଛାରଖାର !

ଲକ୍ଷ୍ମୀବାଈ ପାଶେ ଯିବାକୁ

ତହୁଁ ହେଲେ ବାହାର ।

ଧଇଲେ ପତିତପାବନ-

ବାନା ତୁଳସୀ ଧଣ୍ଡା

ଲଢ଼େଇକୁ ହେଲେ ତିଆର

ଜଗନ୍ନାଥଙ୍କ ପଣ୍ଡା ।

 

ବହେ ଅନୁକୂଳ ବାଆ

ଗିରିବନ ପୂରି

ଚାଲିଛନ୍ତି ଅଶ୍ୱପୃଷ୍ଠେ

ଚନ୍ଦନ ହଜୁରି ।

ନ ଥିଲା ସେ କାଳେ ରେଳ-

ପଥ ଦେଶେ ହୋଇ

ପ୍ରାକୃତିକ ଶୋଭା ତାଙ୍କ

ମନ ନିଏ ମୋହି ।

ବହେ କାହିଁ କୁଳୁ କୁଳୁ

ଶୀତଳ ଝରଣା

କେଉଁ ଭୀଷଣ ପ୍ରପାତୁଁ

ଉଠେ ଜଳକଣା ।

ରବିତେଜେ କରେ ସୃଷ୍ଟି

ଶତ ଇନ୍ଦ୍ରଧନୁ

ଦୂର କରି ପଥଶ୍ରାନ୍ତି

ପଥିକର ମନୁଁ ।

କେଉଁ ନିବିଡ଼ ଅରଣ୍ୟେ

ସଦା ଅନ୍ଧକାର

ମଧ୍ୟାହ୍ନରେ ରାତ୍ରିଭ୍ରମ

କରଇ ସଞ୍ଚାର ।

ଚକିତ ହରିଣୀ ଦଳ

ଉଭା ହୋଇ କାହିଁ

ନିର୍ବୋଧ ନୟନେ ଦୁରୁଁ

ରହିଛନ୍ତି ଚାହିଁ ।

ପୁଚ୍ଛ ଟେକି ଧୀରପଦେ

ନାଚନ୍ତି ମୟୁର

ଉପମା ରାଜ୍ୟକୁ ଅବା

କରିଦେଇ ଜୂର ।

କେଉଁ ବନେ ବ୍ୟାଘ୍ର ସିଂହ

ଭୀଷଣ ଗର୍ଜନ

ଶୁଣି ଦାମ୍ଭିକର ଦମ୍ଭ

ହୁଅଇ ଭଗନ ।

ନାନା ଦୁର୍ଗମ ସଙ୍କଟ-

ପଥ ଅତିକ୍ରମି

ଦେଖିଲେ ବିଚିତ୍ର ଦୃଶ୍ୟ

ବହୁ ଦେଶ ଭ୍ରମି;

ଅବଶେଷେ ପ୍ରବେଶିଲେ

ହଜୁରି ଝାଁସିରେ

କର୍ଣ୍ଣରେ କୁଣ୍ଡଳ ଶିର-

ସ୍ତ୍ରାଣ ଶୋହେ ଶିରେ ।

ଚାଳିଶ ବର୍ଷ ବୟସେ

ଝଟକେ ଯୌବନ

କସରତ ଲଢ଼ି ବାହୁ

ବର୍ତ୍ତୁଳ ଶୋଭନ ।

ଖଣ୍ଡା ବନ୍ଧୁକ ଲାଠିରେ

ସମସ୍ତଙ୍କୁ ବଳି

ପାଦ ତଳେ ଚିପି ଯେହୁ

ଶତ୍ରୁ ପାରେ ଦଳି ।

 

ଝାଁସି ଅଧିବାସୀ ଚିହ୍ନିଲେ

ଜଗନ୍ନାଥ ପଣ୍ଡାଙ୍କୁ

ରୋକିପାରେ ଯେହୁ ସହଜେ

ଏକା ହାତୀଗଣ୍ଡାଙ୍କୁ;

କରି ସନାମନା ପାଛୋଟି

ନେଲେ ରାଜ-ନବରେ

ଲକ୍ଷ୍ମୀବାଈ ତହିଁ ବନ୍ଦିଲେ

ପାଦ ଭକତି ଭରେ ।

ଛଳ ଛଳ ଦୁଇ ନୟନ

ମୁଖ ମଳିନ ଅତି

‘‘ଭାଗ୍ୟହୀନା ମୁହିଁ’’ ବୋଲନ୍ତି

ତାଙ୍କୁ ବିନୟେ ସତୀ ।

‘‘ହରାଇଲେ ପତି ପୁତ୍ରଙ୍କୁ

ଆପେ ଜୀବନ ଧରି

‘‘ଶୂନ୍ୟ ଏ ପ୍ରାସାଦେ ଯାହା ମୁଁ

ଆଗ ନ ଗଲି ମରି ।

‘‘ପାଇ ନିମନ୍ତ୍ରଣ ପିତାଙ୍କ-

ଠାରୁ ମୋର ବିବାହେ

‘‘ଆସିଥିଲ ଥରେ ଝାଁସିକୁ

ସେହି କାଳେ ପଣ୍ଡା ହେ !

‘‘ଆଜି ନିମନ୍ତ୍ରଣ କଲି ମୁଁ

ଦେଖ ବୈଧବ୍ୟ ମମ

‘‘ହତଶିରୀ ହୋଇ ପଡ଼ିଛି

ଝାଁସି ରାଜ୍ୟ ଉତ୍ତମ ।

‘‘କାନ୍ଦୁଛି ଭାରତ-ଜନନୀ

ମହା ବିପଦେ ପଡ଼ି

‘‘କିଏ ସେ ଶତ୍ରୁକୁ ଜିଣିବ

ଆଜି ସମରେ ଲଢ଼ି !

‘‘ଅବଳା ନାରୀ ଉପାୟ

କିଛି ନ ପାଏଁ ଖୋଜି

‘‘ଡାକି ଆଣିଅଛି ତେଣୁ ମୁଁ

ଦୁରୁଁ ତୁମ୍ଭଙ୍କୁ ଭଜି ।’’

ଭାଷନ୍ତି ଚନ୍ଦନ ହଜୁରି

‘‘ଆଗୋ ସତୀ ସାବିତ୍ରୀ,

‘‘ତୁମ୍ଭପରି ନାରୀ ବକ୍ଷରେ

ଧରି ଧନ୍ୟା ଧରିତ୍ରୀ ।

‘‘ହରାଇଛ ଯେଉଁ ପତିଙ୍କୁ

ଆଉ ପାଇବ କାହିଁ !

‘‘ତୁମ୍ଭ ବୀରପୁତ୍ର ସମାନ

ବୀର ମିଳିବେ ନାହିଁ ।

‘‘ତୁମ୍ଭ ବୈଧବ୍ୟରେ ବିଧବା

ଝାଁସି ହୋଇଛି ଆଜି

‘‘ପୁତ୍ରହୀନ ସମ ସବୁରି

ହୃଦ ପଡ଼ିଛି ଭାଜି ।

‘‘ହରାଇଛ ଜଣେ ପୁତ୍ରଙ୍କୁ

ପୁଣି’ଛନ୍ତି ବହୁତ

‘‘ଝାଁସି-ରାଇଜର ପରଜା

ସବୁ ତୁମ୍ଭରି ସୁତ ।

‘‘ଆବର ଅଛି ମୁଁ ଅଧମ

ପୁତ୍ର, ଶୁଣ ଜନନି !

‘‘ଜଗନ୍ନାଥ-ଧାମୁଁ ଆସିଛି

ଧାଇଁ ଝାଁସି-ଅବନୀ ।

‘‘ଜଗନ୍ନାଥ-ସେବା ତେଜି ଗୋ

ତବ ସେବା ସକାଶ

‘‘ଦେଶସେବା ପୁଣ୍ୟ ଅର୍ଜ୍ଜିବ,

ତେଣୁ ଆସିଛି ଦାସ ।

‘‘ଉଠ ସାଞ୍ଜୁ ପିନ୍ଧ ଜନନି,

ଧର ଖଡ଼ଗ ହାତେ

‘‘ଜିଣିବା ଶତ୍ରୁକୁ ଅବଶ୍ୟ

ଆମେ କାଲି ପ୍ରଭାତେ ।

‘‘କାଳବଳେ ସର୍ବେ ମରନ୍ତେ

ପତି ସନ୍ତାନ ତବ

‘‘ମରିବେ ଝାଁସିର ପରଜା

ପୁଣି ଦିନେ ସରବ ।

‘‘ତଥାପି ଜୀଇଁବ ଦେବ ଗୋ

ସଦା ତାଙ୍କ କୀରତି

‘‘କଦାପି ମରିବ ନାହିଁ ତ

ତୁମ୍ଭେ ପରମ ସତୀ ।

‘‘ମରିବ ନାହିଁ ତ ରମଣୀ -

କୁଳେ ତବ ବୀରତ୍ୱ

‘‘ତୁମ୍ଭ ଯଶ ଗାଇ ଜୀଇଁବ

ଭବିଷ୍ୟତ ଭାରତ ।

‘‘ଭାରତ-ସ୍ୱାଧୀନ-ସଂଗ୍ରାମେ

ତୁମ୍ଭେ ପ୍ରଥମ ନାରୀ

‘‘ଢାଳିବ ସମରେ ଅରାତି-

ଦେହୁଁ ରୁଧିର-ବାରି ।

‘‘ବିଦେଶୀ ଶାସନ ଦିନେ ତ

ଦେଶୁଁ ନେବ ବିଦାୟ

‘‘ରହିଯିବ ଇତିହାସରେ

ଲେଖା ତବ ଅଧ୍ୟାୟ ।

‘‘ସବୁଠାରୁ ହେବ ଉଜ୍ଜ୍ୱଳ

ତାହା ମହତ ଅତି

‘‘ଚାଲ ଯୁଦ୍ଧବେଶେ ଘୋଟକ-

ପୃଷ୍ଠେ ହେ ମହାସତି !’’

 

ବାଜେ ଯୁଦ୍ଧବାଜା

ଝାଁସିର ପରଜା

ଉଠିଲେ ମାତି

ହୋଇ ସଜବାଜ

ଚାଲିବେ ରଣକୁ

ପାହିଲେ ରାତି ।

ଲାଗିଅଛି ରଣ

ଭାରତ-ପ୍ରାଙ୍ଗଣ

ରୁଧିରମୟ

ସବୁଠାରେ ଏବେ

ହେଉଛି କେବଳ

ବିଦେଶୀ-କ୍ଷୟ ।

‘ଶତଲେଜ’ ଠାରୁ

 

‘ନର୍ମଦା’ ପର୍ଯ୍ୟନ୍ତ

ବିଦ୍ରୋହ-ବହ୍ନି

ଉଠିଅଛି ଜଳି

ଯେସନ, ଗୀତରେ

ନୋହିବ ବର୍ଣ୍ଣି ।

ମିରଟ ସିପାହୀ

ସବୁରି ଆଗରେ

ଉଠିଲେ ତେଜି

ଭାଙ୍ଗି ବନ୍ଦୀଘର

ମୁକତ କଲେ ସେ

ଯେତେ କଏଦୀ;

ତାଙ୍କ ହାତେ ଯେତେ

ଗୋରା-କର୍ମଚାରୀ

ଖାଇଲେ ହଣା

କେତେ ଘର ପୁଣି

ଜଳିଗଲା, ତାହା

ନାହିଁ ତ ଜଣା ।

ଦିଲ୍ଲୀ ଲାଲକିଲ୍ଲା

ଉପରେ ବାଜିଲା

ବିଜୟ-ବାଜା

ଶେଷ ଥର ପାଇଁ

ବାହାଦୁର ଶାହ

ହୋଇଲେ ରାଜା ।

ଶେଷଥର ପାଇଁ

ମୋଗଲ ରାଜୁତି

ଉଠିଲା ଉଇଁ

ନିଭିଗଲା ପୁଣି

ଚାହୁଁ ଚାହୁଁ ଦିଲ୍ଲୀ-

ମୃତ୍ତିକା ଛୁଇଁ ।

ବ୍ୟାପିଲା ବିଦ୍ରୋହ

ଉତ୍ତର-ଭାରତେ

ବହୁ ସ୍ଥାନରେ

ରାଜପୁତାନାର

ନାସିରାବାଦରେ

କାଶୀନଗରେ ।

ଲକ୍ଷ୍ନୌ କାନପୁର

ବିହାର ବେରେଲି

ସକଳ ସ୍ଥାନେ

ଲଢ଼ିଲେ ସିପାହୀ

ବିଦେଶୀ ସହିତ

ଜୀବନ-ଦାନେ ।

କାନପୁର ଠାରେ

ମରହଟ୍ଟା ବୀର

ନାନା ସାହେବ

ନିର୍ମମ ଗୁଣରେ

କିଏ ପୁଣି ତାଙ୍କ

ସମାନ ହେବ !

ଶତ ଶତ ଗୋରା

ନାରୀ ପୁରୁଷଙ୍କୁ

କଲେ ସେ ହତ

* ବିବିଗଡ଼ଠାରେ

ଅଛି ସେହି ସ୍ମୃତି

ଆଜି ପର୍ଯ୍ୟନ୍ତ ।

ତାଙ୍କ ବନ୍ଧୁବର

ତାନ୍ତିଆଟୋପି ସେ

ସାହସୀ ବୀର

ପାଉଥିଲେ ସୁଖ

କାଟିବାରେ ଖାଲି

ବିଦେଶୀ-ଶିର ।

ଝାଁସି ରାଣୀ ସଙ୍ଗେ

ମେଣ୍ଟ ବାନ୍ଧି ସେ ତ

କଲେ ଲଢ଼ାଇ

ଲଢ଼ୁଥିଲେ ଆମ

ଚନ୍ଦନ ହଜୁରି

ସଙ୍ଗତେ ଥାଇ ।

 

ପୁରୁଷ ବେଶରେ ଘୋଟକ

ପୃଷ୍ଠେ ଝାଁସିର ରାଣୀ

ଲଢ଼ନ୍ତି ଭୀଷଣ, ରମଣୀ

ବୋଲି ନ ହୁଏ ଜାଣି ।

କୋଟା ଓ ମୋରାର ନାମକ

ଦୁଇ ସ୍ଥାନରେ ଲଢ଼ି

ବିଦେଶୀ ସଇନ ଆଘାତେ

ଶେଷେ ଗଲେ ସେ ପଡ଼ି ।

ଛାଡ଼ି ଗଲା ପିଣ୍ଡୁ ପରାଣ,

ଦେଖି ତାନ୍ତିଆଟୋପି

ଚନ୍ଦନ ହଜୁରି ସହିତ

ବନେ ରହିଲେ ଛପି ।

ଶେଷ ଧୂତ ହୋଇ ପାଇଲେ

ଫାସୀ ବିଦେଶୀ ହସ୍ତେ

ଚାଲିଲେ ଚନ୍ଦନହଜୁରି ଲୁଚି

ନେପାଳ ପଥେ ।

ସେହି ପଥେ ନାନାସାହେବ

ଯାଇ ଲୁଚିଲେ ବନେ

ବାହାଦୂର୍‌ଶାହ ଦିଲ୍ଲୀରେ

ବନ୍ଦୀ ହୋଇଲେ ରଣେ ।

ନିର୍ବାସିତ ହୋଇ ରେଙ୍ଗୁନେ

ସେ ତ ଛାଡ଼ିଲେ ପ୍ରାଣ

ହରାଇ ସନ୍ତାନ ସନ୍ତତି

ନ ହରାଇ ସମ୍ମାନ ।

ଚନ୍ଦନ ହଜୁରି ନେପାଳେ

ରହି ବାର ବରଷ

ଶେଷେ ବାହୁଡ଼ିଲେ ଦେଶକୁ

ହୋଇ ଅତି ହରଷ ।

ସ୍ୱାଧୀନତା-ରଣେ ଓଡ଼ିଶା

ନାମ ରଖିଲେ ଟେକି

ପ୍ରତି ଓଡ଼ିଆର ହୃଦୟେ

ଦେଲେ ସେ ମନ୍ତ୍ର ଲେଖି ।

ସିଂହଭୂମି ରାଜା ଅର୍ଜ୍ଜୁନ

ସିଂହ ସେହି କାଳରେ

ହୋଇଲେ ବିଦ୍ରୋହୀ ତେଜିଲେ

ପ୍ରାଣ ବନ୍ଦୀଶାଳରେ ।

ସିପାହୀ-ବିଦ୍ରୋହ ଇଂରେଜ

ମାନେ ଦମନ କରି

ଶାସିଲେ ଭାରତ ନିଶ୍ଚିନ୍ତେ

ଶତ ବରଷ ଧରି ।

ମାତ୍ର ସେ ବିଦ୍ରୋହ-ବହ୍ନି ତ

କାହିଁ ଲିଭିଲା ନାହିଁ

କୁହୁଳି କୁହୁଳି ଉଠିଲା

ଜଳି ମୁକତି ପାଇଁ ।

ଲାଗିଲା ଅହିଂସା-ସମର

ହେଲା ଦେଶ ସ୍ୱାଧୀନ

ପ୍ରଭାତିଲା ପୁଣି ଭାରତେ

ନୂଆ ସୁଖର ଦିନ ।

ସିପାହୀ-ବିଦ୍ରୋହ ପୋତିଲା

ମଞ୍ଜି ସ୍ୱାଧୀନତାର

ଫିଟାଇଲା ଆଗ ଏ ଦେଶ

ପାଇଁ ମୁକତି-ଦ୍ୱାର ।

 

 

ଶହୀଦ ବାଜି ରାଉତ

(୧)

ଗର୍ଜନ ଉଠେ

ଘୋର ଅନ୍ଧାରେ

‘‘ଡଙ୍ଗା ଫିଟା ରେ ପାଜି !’’

‘‘ପ୍ରଜା-ମଣ୍ଡଳ-

ହୁକୁମ ନାହିଁ ତ !’’

ଜବାବ ଦେଉଛି ବାକି ।

(୨)

ଢେଙ୍କାନାଳର

ପ୍ରଜା-ମଣ୍ଡଳ-

ବାଳକ ସିପାହୀ ସେ ଯେ

ବନ୍ଧୁକଧାରୀ

ଫଉଜ ଆଗରେ

ଠିଆ ହୋଇ କହେ ତେଜେ ।

(୩)

ଗଠିତ ହୋଇଛି

ପ୍ରଜା-ମଣ୍ଡଳ

କରିବ ରାଜୁତି ଲୋପ

ନ ମାନେ ପରଜା

ରାଜାର ଆଦେଶ

ଗୁଳି ବନ୍ଧୁକ ତୋପ ।

(୪)

ଭାଙ୍ଗି ପୁରୁଣା

ରାଜୁତି ଗଢ଼ିବ

ନୂଆ ରାଜୁତି ସେ ଆଜି

ଘେନି ଅଛି ପଣ

ପ୍ରଜା-ମଣ୍ଡଳ,

ସୈନିକ ତା’ର ବାଜି ।

ପରଜା-ଶାସନ

ପାଇଁ ପ୍ରାଣ ଦେବ

ହୋଇଅଛି ସେ ତ ରାଜି,

ସୈନିକ ବୀର ବାଜି ।

(୫)

ଘନ ଅନ୍ଧାରେ

ଝରଇ ବର୍ଷା

ମେଘ ଘଡ଼ଘଡ଼ି ବିଦୁ !

ଡଙ୍ଗା ଉପରୁ

ଜବାବ ଦିଏ ସେ

ଉଠି ଆଖି ମଳି ନିଦୁଁ ।

(୬)

ବାର ବରଷର

ସନ୍ତାନ ତାର

ଜନନୀ ଦେଇଛି ଛାଡ଼ି

ରାଜୁତି ଜିଣି ସେ

ଲେଉଟି ଆସିବ

ବୀର ଦର୍ପରେ ମାଡ଼ି ।

(୭)

ଲେଉଟି ଆସିବ

ଏକଇର ବଳା

ଜନନୀ-ପରାଣ-ନିଧି

କଣ୍ଠପୁରର

ବାଜିଆ ମାଆ-ସେ

ବୁଝିନି ବିଧାନ ବିଧି ।

(୮)

ଜାଣିନି ସଇନ

ବନ୍ଧୁକ-ମୁହେଁ

ଛିଡ଼ା ହେବ ବୋଲି ଆଜି

ଦଶମାସ ଯା’କୁ

ଗର୍ଭେ ଧଇଲା

ସେହି ତା’ ଚଗଲା ବାଜି !

(୯)

କଣ୍ଠପୁରର

ମହା ମହୀରୁହ

ନିଶୀଥେ ଲୋଟଇ ତଳେ

ବଜ୍ର ଗରଜେ

ଅନ୍ଧାର ପଥେ

ବିଜୁଳି ଝଟକି ଜଳେ ।

(୧୦)

ଥା’ନ୍ତା ଶୋଇ ଯେ

ଜନନୀ-ଅଙ୍କେ

ଏ ଝଡ଼ି ବରଷା ରାତି,

ରଜାର ଫଉଜ

ଆଗରେ ଆଜି ସେ

ଦେଖାଇ ଦେଲା ରେ ଛାତି ।

(୧୧)

କଟାଇଥିଲା ଯେ

ବାରଟି ବରଷ

ନାଚି ନାଚି ଗୀତ ଗାଇ,

ଘନ ଅନ୍ଧାରେ

ଜବାବ ଦେଲା ସେ

ଡଙ୍ଗା ଛାଡ଼ିବ ନାହିଁ ।

ଜବାବ ଦେଲା ରେ

ଛାତିକୁ ଫୁଲାଇ

ଫଉଜ ମୁହଁକୁ ଚାହିଁ

‘ଡଙ୍ଗା ଛାଡ଼ିବି ନାହିଁ ।’’

(୧୨)

ପ୍ରଜାମଣ୍ଡଳ

ହୁକୁମ ମାନେ ସେ

ନ ଜାଣଇ ଆନ ରଜା,

ନ ଜାଣଇ ସେ ତ

ଫଉଜର ବଳ

ବନ୍ଧୁକ ଗୁଳି ସଜା !

(୧୩)

ପ୍ରଜାମଣ୍ଡଳ

ହୁକୁମ କରିଛି

ପଡ଼ିଛି ତାହାରି ପାଳି

ବ୍ରାହ୍ମଣୀ ନଈ

ଡଙ୍ଗା ଭିତରେ

ସେହି ଆଜି ଜଗୁଆଳ ।

(୧୪)

ବତାସ ବେଗରେ

ନାଚଇ ଭୀଷଣ

ଚଞ୍ଚଳ ନଦୀଜଳ,

କଣ୍ଠପୁରର

ଘାଟରେ ଡଙ୍ଗା

ହୁଏ ବେଶୀ ଟଳମଳ ।

(୧୫)

ତାହାରି ଉପରେ

ଛିଡ଼ା ହୋଇ କହେ

ଉପରକୁ କରି ମୁହଁ

କଣ୍ଠପୁରରେ

ଗୋରୁଜଗା ପିଲା

ବାର ବରଷର ପୁଅ !

(୧୬)

ନୁହେଁ ତ ସେ କିଛି

ନେତା ସେନାପତି

ଦେଖି ନାହିଁ ଚାଟଶାଳୀ,

ପ୍ରଜାମଣ୍ଡଳ

ଆଦେଶ ମାନିବା

ଶିଖିଛି ଜୀବନେ ଖାଲି ।

(୧୭)

ନ ଶିଖି ବହିରୁ

ଶିଖିଥିଲା ଯାହା

ନାହିଁ ତହୁଁ ବଡ଼ ପାଠ

ଓଡ଼ିଶା ମୁଲକେ

ଜନମି ନାହିଁ ତ

ତାହା ତହୁଁ ବଡ଼ ଚୋଟ ।

(୧୮)

ଜନମି ନାହିଁ ତ

ବଡ଼ ଦିଗଜୟୀ

ତାହା ତହୁଁ ବେଶି ବୀର

ମଣିଷର ଯେହୁ

ଇଜ୍ଜତ ଲାଗି

ପତାଇ ଦେଲା ରେ ଶିର ।

(୧୯)

ପତାଇ ଦେଲା ରେ

ଆପଣାର ବୁକୁ

ବାର ବରଷର ଟୋକା

ଦଣ୍ଡକ ପାଇଁ

ଜଗତ ଗୋଟାକୁ

କରିଦେଲା ପରା ବୋକା !

(୨୦)

ହିଂସ୍ର ଫଉଜ

ଆଗେ ଛିଡ଼ା ହୋଇ

କହିଲା, ‘‘ଛାଡ଼ିବି ନାହିଁ

ପ୍ରଜା ମଣ୍ଡଳ

ହୁକୁମ ମାନେ ମୁଁ’’

କହିଲା ଗର୍ବେ ଚାହିଁ ।

(୨୧)

ଫୁଟିଲା ଗୁଡ଼ୁମ୍‌

ବନ୍ଧୁକ ଗୁଳି

ସେହି ଶିଶୁ ମଥାପରେ

ଘନ ଅନ୍ଧାରେ

ବାଳକ ରୁଧିର

ମିଶିଗଲା ନଦୀଜଳେ

(୨୨)

ନିମିଷକେ ତା’ର

କ୍ଷୁଦ୍ର ଶରୀର

ଡଙ୍ଗାରେ ଯାଏ ଗଡ଼ି

ନିମିଷକେ ପୁଣି

ଛିଡ଼ା ହେଲା ସେ ତ

ଡାକ ଛାଡ଼େ କରି ରଡ଼ି-

(୨୩)

‘‘ଘାଟ ପାରିହେବେ

‘‘ସଇନ, ଆସରେ

‘‘ପ୍ରଜା-ମଣ୍ଡଳ-ଭାଇ !

‘‘କିଏ କାହିଁ ଅଛ

‘‘ନ ଛାଡ଼ିବା ଘାଟ

‘‘ଆସ ରେ ଆସ ରେ ଧାଇଁ ।

‘‘ମଣିଷ-ରକତ

‘‘ମଣିଷ ପିଉଛି

‘‘ଦେଖ ଅନ୍ଧାରେ ଚାହିଁ

‘‘ଆସ ରେ ଆସ ରେ ଧାଇଁ !’’

(୨୪)

ଘଡ଼ଘଡ଼ି-ରଡ଼ି

କାଟି ସେ ଡାକରା

ଗଲା ପଶି ଦଶଦିଶି;

ସେ ଆବାଜ ଶୁଣି

ଉଠିଲା କମ୍ପି

ସତେ କି ଗଭୀର ନିଶି !

(୨୫)

ଆସିଗଲେ ନଟ,

ହୁରୁଷି ପ୍ରଧାନ

ଗୁରି, ଲକ୍ଷ୍ମଣ, ରଘୁ

ନେତା ବାଜି ପାଶେ

ଛିଡ଼ା ହେଲା ଆସି

ନିର୍ଭୀକ ବୀର ଫଗୁ ।

(୨୬)

ଡଙ୍ଗା-ଦଉଡ଼ି

କଟିରେ ବାନ୍ଧି

ଛିଡ଼ା ହେଲେ ସବୁ ବୀର

ନ ଛାଡ଼ିବେ ବୋଲି

ଜବାବ ଭଣିଲେ

ଉନ୍ନତ କରି ଶିର ।

(୨୭)

ଆହୁରି ଫୁଟିଲା

ବନ୍ଧୁକ ଗୁଳି

ଗୁଡ଼ୁମ୍‌ ଗୁଡ଼ୁମ୍‌ ହୋଇ

ଘନ ଅନ୍ଧାରେ

ଗୋଟି ଗୋଟି ବୀର

ପଡ଼ିଲେ ସେଠାରେ ଶୋଇ ।

(୨୮)

ବହୁ ଦିନୁଁ ଯେଉଁ

ନୟନେ ନିଦ୍ରା

ନ ଥିଲା ଚିନ୍ତା କରି,

ଚିର ନିଦ୍ରାରେ

ମୁଦିଲେ ସେ ଆଖି

ସେଠାରେ ସର୍ବେ ମରି ।

(୨୯)

କଟକ ଅଣାଇ

ସେହି ମୁର୍ଦାର

ହେଲା ବଡ଼ ପଟୁଆର,

ପୁରୁଣା ରାଜୁଡ଼ା-

ରାଜୁତି ସରିଲା

ସମାଧି ହୋଇଲା ତା’ର ।

(୩୦)

ହିଂସା-ରାଜୁତି

ପଡ଼ିଲା ଭୁଷୁଡ଼ି

ରହିଲା ଜନତା ରାୟ;

ସେହି ରାୟ ପାଇଁ

ନିଜ ଜୀବନକୁ

ବଳି ଦେଲେ କେତେ ହାୟ !

(୩୧)

ରଖିଲେ ଶହୀଦ-

ସ୍ମୃତି ଏ ଭାରତେ

କେତେ ଅମୂଲ୍ୟ ପ୍ରାଣ

ଯୁଗ ଯୁଗ ଧରି

ବଞ୍ଚିଲେ ସେ ତ

ହୋଇ ଜାତି-ଅଭିମାନ ।