ଉତ୍ତର ରାମଚରିତ

(ମହାକବି ଭବଭୂତିଙ୍କର ସଂସ୍କୃତ ଗ୍ରନ୍ଥର ଅନୁବାଦ)

ପ୍ରସ୍ତାବନା

ଭକ୍ତକବି ମଧୁସୂଦନ ରାଓ

 

ନାନ୍ଦୀ

ବାଲ୍ମୀକି ଆଦି ପୂର୍ବ କବି । ତାହାଙ୍କୁ ଗୁରୁ ଅନୁଭବି ।।

ପ୍ରଣମି ତାଙ୍କୁ ଭକ୍ତି ଭରେ । ମାଗଇଁ ଏହି ମହାବରେ ।।

ଅମୃତ-ଭାବ-ରସେ ଢଳା ।

ବାଗ୍‌ଦେବୀ ବାଣୀ ବ୍ରହ୍ମକଳା ।।

କରୁଣା କର ମୋର ହୃଦେ ।

ସନ୍ତତ ବିରାଜନ୍ତୁ ମୁଦେ ।।

 

ସୂତ୍ରଧାର - ବହୁତଗୁଡ଼ିଏ କଥାରୁ କି ଫଳ ? ଆଜି ଭଗବାନ୍‌ ଲୋକପ୍ରିୟନାଥଙ୍କ ଯାତ୍ରାରେ ମୁଁ ଉପସ୍ଥିତ ସମସ୍ତ ମାନ୍ୟ ମହୋଦୟଙ୍କୁ ଜଣାଉଚି, ଆପଣମାନେ ଅବଧାନ କରନ୍ତୁ । କାଶ୍ୟପ-ଗୋତ୍ର-ସମ୍ଭୁତ ଶ୍ରୀକଣ୍ଠ-ଉପାଧିଧାରୀ ଶବ୍ଦଶାସ୍ତ୍ରପାରଦର୍ଶୀ ଭବଭୂତିନାମକ ମହାକବି ଅଛନ୍ତି ।

 

ଯେଉଁ ବ୍ରାହ୍ମଣର ସଦା ଅନୁଗତା

ବିଶ୍ୱବିମୋହିନୀ ବାଣୀ ବାଗ୍‌ଦେବତା

ତାଙ୍କରି ରଚିତ ଉତ୍ତର ଚରିତ

ଆଜି ଏହିଠାରେ ହେବ ଅଭିନୀତ

 

ଆଜି ମୁଁ ଏହି ଅଭିନୟ କାର୍ଯ୍ୟଯୋଗୁଁ ସେହି କାଳର ଜଣେ ଅଯୋଧ୍ୟାବାସୀ ହୋଇପଡ଼ିଚି । (ଚାରିଆଡ଼ୁ ଅନାଇ ) ରାକ୍ଷସକୁଳର ସଂହାରକାରୀ ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ଏ ଅଭିଷେକ ସମୟ । ଏହି ସମୟରେ ଚାରିଆଡ଼େ ଦିବାରାତ୍ର ନୃତ୍ୟ-ଗୀତବାଦ୍ୟ ହେବାର କଥା । ତେବେ ଆଜି ଏ ଅଙ୍ଗନଭୂମିରେ କିଛି ଗଡ଼ବଡ଼ ନାହିଁ କାହିଁକି ?

 

ନଟ - (ପ୍ରବେଶ କରି) ମହାରାଜାଙ୍କ ଅଭିଷେକ ଉତ୍ସବ ନିମିତ୍ତ ଲଙ୍କାଯୁଦ୍ଧର ସହାୟ ଯେଉଁ ସବୁ ବାନର ଓ ରାକ୍ଷସ ଲଙ୍କାରୁ ଓ ଯେଉଁ ସବୁ ବ୍ରହ୍ମର୍ଷି ଓ ରାଜର୍ଷି ନାନା ଦେଶରୁ ସମାଗତ ହୋଇଥିଲେ, ସେମାନଙ୍କର ସତ୍କାର ନିମିତ୍ତ ଏତେ ଦିନଯାଏଁ ଉତ୍ସବ କୋଳାହଳ ଲାଗିଥିଲା । ସେମାନେ ଆଜି ମହାରାଜାଙ୍କଠାରୁ ବିଦାୟ ଘେନି ନିଜ ନିଜ ଘରକୁ ଗଲେ ।

 

ସୁତ୍ରଧାର - ହଁ ହଁ ଠିକ୍‌ କଥା, ପୁଣି ରାମଙ୍କର ମାତା ସର୍ବେ ପାଇବାରୁ ଯଜ୍ଞ-ନିମନ୍ତ୍ରଣ ଅରୁଦ୍ଧତୀ ବଶିଷ୍ଟଙ୍କ ସଙ୍ଗେ ଗଲେଜାମାତୃ-ଭବନ ।

 

ନଟ – ମୁଁ ବିଦେଶୀ ଲୋକ, ମତେ ଜଣାନାହିଁ ବୋଲି ପଚାରୁଛି; ଜାମାତା ବୋଲି ଯେ କହିଲେ; ସେ କିଏ ?

 

ସୂତ୍ରଧାର –

ଶାନ୍ତା ନାମେ ଥିଲେ କନ୍ୟା ଦଶରଥଙ୍କର,

ଦତ୍ତକ ତନୟାରୂପେ ତାଙ୍କୁ ନୃପବର ।

ଲୋମପାଦ ନୃପତିଙ୍କୁ କଲେ ସମର୍ପଣ,

କନ୍ୟାରୂପେ ଲୋମପାଦ କରିଲେ ପାଳନ ।

ବିଭାଣ୍ଡକ-ସୁତ ଋଷ୍ୟଶୃଙ୍ଗ ଋଷିବର

ବିବାହେ ଘେନିଲେ ସେହି ଶନ୍ତାଦେବୀ କର ।

 

ସେହି ଋଷ୍ୟଶୃଙ୍ଗ ଋଷି ଏବେ ଦ୍ୱାଦଶ-ବାର୍ଷିକ ଯଜ୍ଞ ଆରମ୍ଭ କରିଅଛନ୍ତି । ପୁତ୍ରବଧୂ ସୀତା ଦେବୀ ପୂର୍ଣ୍ଣଗର୍ଭା ଥିଲେ ହେଁ ଜାମାତାଙ୍କ ଆଗ୍ରହପୂର୍ଣ୍ଣ ନିମନ୍ତ୍ରଣ ପାଇ ରାମଙ୍କର ମାତାମାନେ ତାଙ୍କ ଆଶ୍ରମକୁ ଯାଇଛନ୍ତି । ସେ ଯାହାହେଉ, ଆମ୍ଭର ଜାତିପ୍ରଥା ରାଜଦ୍ୱାରେ ଉପସ୍ଥିତ ହୋଇ ରାଜାଙ୍କର ସ୍ତୁତିପାଠ କରିବା । ଚାଲ, ଆମେ ସେହିତା କରିବା ।

 

ନଟ – ହଉ ତେବେ, ତୁମେ ଗୋଟିଏ ସର୍ବାଙ୍ଗସୁନ୍ଦର ସ୍ତୁତି ସ୍ଥିର କରିଦିଅ ।

 

ସୂତ୍ରଧାର –

ଯାହା ତୁମକୁ ଆସେ, ଭୟ ନ କରି ଗାଇଦିଅ ।

ଯେତେ ଶୁଦ୍ଧ ହେଉ ପଛେ ରଚନା ତୁମ୍ଭର,

ନିନ୍ଦା କରିବାକୁ ଲୋକେ ସର୍ବଦା ତତ୍ପର ।

ନାରୀ ଆଉ ବାଣୀ ଦୁହିଁଙ୍କର ସାଧୁପଣ

ନ ମାନି ନିନ୍ଦନ୍ତି ସଦା ସକଳ ଦୁର୍ଜନ ।

 

ନଟ – ଦୁର୍ଜନ ବୋଲି କଣ କହୁଛ ? ଅତି ଦୁର୍ଜନ ବୋଲିବା ଉଚିତ, କାରଣ –

ସତୀଶ୍ରେଷ୍ଠା ସୀତାଦେବୀ ବିଦିତ ଭୁବନେ

ତଥାପି ତାଙ୍କର ନିନ୍ଦା ରଟନ୍ତି ଦୁର୍ଜନେ ।

ରାବଣର ପୁରେ ବାସ ଏହି ଅପବାଦ,

ନ ମାନନ୍ତି ଲୋକେ ଅଗ୍ନି-ଶୁଦ୍ଧିର ସଂବାଦ ।

 

ସୂତ୍ରଧାର – ଯଦି ଏହି ଜନରବର କଥା ମହାରାଜାଙ୍କ କାନକୁ ଯାଏ, ତେବେ ବଡ଼ କଷ୍ଟର ବିଷୟ ହେବ ।

 

ନଟ – ଦେବତା ଓ ଋଷିମାନେ ସର୍ବପ୍ରକାରେ କଲ୍ୟାଣ ବିଧାନ କରିବେ । (ପରିକ୍ରମ କରି ) ହଇ ହେ, ମହାରାଜ ଏତେବେଳେ କେଉଁଠି ଥିବେ ? (ଶୁଣିଲା ପରି କାନ ଡେରି ) ଓହୋ, ଲୋକେ ଏହି କଥା କହୁଚନ୍ତି,

 

କନ୍ୟା ଆଉ ଜାମାତାଙ୍କୁ ସଙ୍ଖୁଳିବା ପାଇଁ

ଆସିଥିଲେ ଶ୍ରୀଜନକ ମିଥିଳାର ସାଇଁ ।

ଉତ୍ସବ-ଆନନ୍ଦେ ଏଥି ଗମି କିଛି କାଳ

ବାହୁଡ଼ିଲେ ମିଥିଳାକୁ ଆଜି ନରପାଳ ।

ତେଣୁ ସୀତାଦେବୀ ଆଜି ଏକାନ୍ତ ବିମନା

କରିବାକୁ ତାହାଙ୍କର ହୃଦୟ ସାନ୍ତ୍ୱନା ।

ମହାରାଜ ରାମଚନ୍ଦ୍ର ତେଜି ଧର୍ମାସନ

ଏହିକ୍ଷଣି ବିଜେ କଲେ ସୀତାଙ୍କ ଭବନ ।

(ସୁତ୍ରଧାର ଓ ନଟ ଉଭୟଙ୍କ ପ୍ରସ୍ଥାନ)

 

ପ୍ରଥମ ଅଙ୍କ

(ତଦନନ୍ତର ଆସନସ୍ତ ରାମ ଓ ସୀତାଙ୍କର ପ୍ରବେଶ)

ରାମ – ଦେବି, ଶାନ୍ତ ହୁଅ । ଗୁରୁଜନମାନେ ଆମ୍ଭଙ୍କୁ ଛାଡ଼ି ଯିବାକୁ ବାଞ୍ଛା କରନ୍ତି ନାହିଁ । କିନ୍ତୁ କଣ କରିବେ ?

 

ସାଗ୍ନିକ ଗୃହସ୍ଥ ତବ ପିତା ମହାମତି,

ହୋମ ଆଦି ଅନୁଷ୍ଠାନେ ନିରନ୍ତର ବ୍ରତୀ,

ଲଙ୍ଘିଲେ ସେ ମହାବ୍ରତ ହେବ ଅକଲ୍ୟାଣ,

ବିହିଲେ ରାଜର୍ଷି ତେଣୁ ମିଥିଳା-ପ୍ରସ୍ଥାନ ।

 

ସୀତା – ନାଥ, ମୁଁ କି ତାହା ଜାଣେ ନାହିଁ ? ତେବେ କାହିଁକି କେଜାଣି ବନ୍ଧୁଜନ-ବିଚ୍ଛେଦରେ ମନ ଅତ୍ୟନ୍ତ ସନ୍ତାପିତ ହୁଏ ।

 

ରାମ –      ସେ କଥା ସତ, ସଂସାରର ଏହି ସବୁ ମର୍ମଭେଦୀ କଷ୍ଟ ଦେଖି ଧ୍ୟାନଶୀଳ ମୁନିମାନେ ସମସ୍ତ ସଂସାରାସକ୍ତି ପରିତ୍ୟାଗ କରି ବନବାସୀ ହୋଇ ଶାନ୍ତି ଲାଭ କରନ୍ତି ।

 

କଞ୍ଚୁକୀ – (ପ୍ରବେଶ କରି) ରାମଭଦ୍ର !....(ଏହି ଅର୍ଦ୍ଧୋକ୍ତି କରି ଶଙ୍କିତ ଭାବରେ) ମହାରାଜ !

 

ରାମ – (ଅଳ୍ପ ହସି) ତୁମ୍ଭେ ପିତାଙ୍କ ସମୟର ଲୋକ ମୋତେ କେବଳ ରାମଭଦ୍ର ବୋଲି ଡାକିବା ତୁମ୍ଭ ମୁଖରେ ଶୋଭାପାଏ । ପୂର୍ବ ଅଭ୍ୟାସ ଅନୁସାରେ ମୋତେ ସର୍ବଦା ଡାକିବ ।

 

କଞ୍ଚୁକୀ – ଋଷ୍ୟଶୃଙ୍ଗ ମୁନିଙ୍କ ଆଶ୍ରମରୁ ଅଷ୍ଟାବକ୍ର ଆସିଛନ୍ତି ।

 

ସୀତା – ତେବେ ଆଉ ବିଳମ୍ୱ କାହିଁକି ?

 

ରାମ – ତାଙ୍କୁ ଶୀଘ୍ର ଘେନିଆସ ।

 

କଞ୍ଚୁକୀ – ଯେ ଆଜ୍ଞା ମହାରାଜ ! (ପ୍ରସ୍ଥାନ)

 

ଅଷ୍ଟାବକ୍ର - (ପ୍ରବେ ଶ କରି) ତୁମ୍ଭ ଦୁହିଁଙ୍କର ମଙ୍ଗଳ ହେଉ।

 

ରାମ – ପ୍ରଣାମ ! ଆସନରେ ବସନ୍ତୁ ।

 

ସୀତା – ପ୍ରଣାମ ! ଗୁରୁଜନମାନେ ଭଲ ଅଛନ୍ତି ତ ? ଆର୍ଯ୍ୟା ଶାନ୍ତା କୁଶଳରେ ଅଛନ୍ତି ତ ?

 

ରାମ – ଭଗିନୀପତି ସୋମରସପାୟୀ ଋଷ୍ୟଶୃଙ୍ଗ ଓ ଭଗିନୀ ଶାନ୍ତାଙ୍କର ଯଜ୍ଞ ନିର୍ବିଘ୍ନରେ ଚଳୁଛି ତ ?

 

ସୀତା – ସେ ଆମ୍ଭଙ୍କୁ ମନେକରନ୍ତି ନା ?

 

ଅଷ୍ଟବକ୍ର – (ଆସନରେ ବସି) ହଁ, ସେ ତୁମ୍ଭମାନଙ୍କୁ ସ୍ମରଣ କରନ୍ତି । (ସୀତାଙ୍କ ପ୍ରତି) ଭଗବାନ୍‌ ବଶିଷ୍ଠ ମୁନି ତୁମ୍ଭଙ୍କୁ ଏହି କଥା କହିଛନ୍ତି ।

 

ହେ ସୀତେ, ଜନନୀ ତବ ଦେବୀ ବସୁମତୀ,

ପ୍ରଜାପତି ସମ ପିତା ଜନକ ନୃପତି,

ଯେ ରାଜକୁଳର ବଧୂ ଅଟ ଗୋ ନନ୍ଦିନି,

ସେହି କୁଳେ ଗୁରୁ ମୁହିଁ ପୁଣି ଦିନମଣି ।

 

ମୁଁ ଆଉ କି ଆଶୀର୍ବାଦ କରିବି ? ତୁମ୍ଭେ ବୀରପ୍ରସବିନୀ ହୁଅ – ମୋର ଏହି ଆଶୀର୍ବାଦ ।

 

ରାମ – ଭଗବାନ ବଶିଷ୍ଠଦେବ ଆମ୍ଭମାନଙ୍କୁ ଅନୁଗୃହୀତ କରିଅଛନ୍ତି ।

 

ସାଧାରଣ ସାଧୁଜନେ କହନ୍ତି ଯେ କଥା,

ଅର୍ଥ ଅନୁସାରେ ତାହା ସଂସାରେ ସର୍ବଥା,

କିନ୍ତୁ ଆଦ୍ୟଋଷି ମୁଖୁଁ ସ୍ଫୁରଇ ଯେ ବାଣୀ,

ତା’ ପଛେ ଗୋଡ଼ାଏ ଅର୍ଥ, ସେ ଅବ୍ୟର୍ଥ ଜାଣି ।

 

ଅଷ୍ଟାବକ୍ର –ହେ ରାଜନ୍‌ ! ଭଗବତୀ ଅରୁନ୍ଧତୀ, କୌଶଲ୍ୟା ଆଦି ଦେବୀମାନେ, ପୁଣି ଶାନ୍ତା-ଏମାନେ ବାରମ୍ୱାର କହିଛନ୍ତି, ସୀତାଦେବୀ ଅନ୍ତଃସତ୍ତ୍ୱା ଅଛନ୍ତି; ତାଙ୍କର ଯାହା ଯାହା ଅଭିଳାଷ ହେବ, ତାହା ତତ୍‌କ୍ଷଣାତ୍‌ ପୂର୍ଣ୍ଣ କରାଇବ।

 

ରାମ –ସେ ଯେତେବେଳେ ଯାହା କୁହନ୍ତି, ତାହା କରାଯାଉଅଛି।

 

ଅଷ୍ଟାବକ୍ର – ଆଉ ଦେବୀଙ୍କର ନଣିଦେଇ ଋଷ୍ୟଶୃଙ୍ଗ ଦେବୀଙ୍କି କହି ପଠାଇଛନ୍ତି, ‘‘ବତ୍ସେ, ଗର୍ଭବତୀ ବୋଲି ତୁମକୁ ଆଣି ପାରି ନାହିଁ । ବତ୍ସ ରାମଭଦ୍ର ମଧ୍ୟ ତୁମର ଚିତ୍ତ-ବିନୋଦନ ଲାଗି ସେଠାରେ ଅଛନ୍ତି, ଆମ୍ଭେମାନେ ଶୀଘ୍ର ତୁମ କୋଳରେ ପୁତ୍ର ଦେଖି ସୁଖୀ ହେବୁଁ ।’’

 

       ରାମ–(ଅଳ୍ପ ହସି) ତାଙ୍କରି କଥା ଫଳୁ । ଗୁରୁଦେବ ବଶିଷ୍ଠ ମୋ ପ୍ରତି କିଛି ଆଜ୍ଞା କରିଛନ୍ତି କି ?

 

ଅଷ୍ଟବକ୍ର – ଭଗବାନ୍‌ ବଶିଷ୍ଠ କହିଛନ୍ତି,

ଜାମାତାଙ୍କ ଯଜ୍ଞଯୋଗୁଁ ଅଛୁଁ ଦୂରେ ଅତି,

ନବ ରାଜ୍ୟେ ତୁମେ ରାମ ନବ ମହୀପତି,

ସର୍ବଦା ନିଯୁକ୍ତ ଥିବ ପ୍ରଜାନୁରଞ୍ଜନେ,

ତେଣୁ ହେ ଲଭିବି ଯଶ-ଅକ୍ଷୟରତନେ ।

ରାମ –ଗୁରୁଦେବ ବଶିଷ୍ଠ ଯାହା ଆଞ୍ଜା କରିଛନ୍ତି, ତାହା ମୋର ଶିରୋଧାର୍ଯ୍ୟ;

 

ପ୍ରଜାରଞ୍ଜନାର୍ଥେ ମୁହିଁ ନିକର,

ସ୍ନେହ ଦୟା ସୁଖ ସୀତା ଆବର ।

ପାରଇ ବିସର୍ଜି ଅନାୟାସରେ,

ଏ ମୋ ପୁଣ୍ୟ-ବ୍ରତ ଏ ଭୁବନରେ ।

 

ସୀତା – ଆର୍ଯ୍ୟପୁତ୍ର ! ଏଥିପାଇଁ ସିନା ଲୋକେ ତୁମକୁ ରଘୁକୁଳ-ଧୁରନ୍ଧର ବୋଲି କହନ୍ତି ।

 

ରାମ – କିଏ ଅଛି ? ଯାଅ, ଭଗବାନ୍‌ ଅଷ୍ଟାବକ୍ରଙ୍କୁ ବିଶ୍ରାମ କରାଅ ।

 

ଅଷ୍ଟାବକ୍ର –(ଉଠି ପରିକ୍ରମ କରି) ଆରେ, କୁମାର ଲକ୍ଷ୍ମଣ ଯେ ଉପସ୍ଥିତ । (ପ୍ରସ୍ଥାନ)

 

ଲକ୍ଷ୍ମଣ–(ପ୍ରବେଶ କରି) ଆର୍ଯ୍ୟଙ୍କର ଜୟ । ସେହି ଚିତ୍ରକର ଆମ୍ଭମାନଙ୍କ ଉପଦେଶ ଅନୁସାରେ ଏହି ଚିତ୍ରପଟରେ ଆର୍ଯ୍ୟଙ୍କର ଚରିତ ଚିତ୍ର କରି ଆଣିଚି, ଦେଖନ୍ତୁ ।

 

ରାମ       ରାମ– ବତ୍ସ ! ସୀତାଙ୍କର ଦୁଃଖ ଦୂର କରି ତାଙ୍କ ମନୋରଞ୍ଜନ କରିବାର ବେଶ୍‌ ଉପାୟ ତ ତୁମ ଜାଣ । ଏଥିରେ କେତେଦୂର ପର୍ଯ୍ୟନ୍ତ ଚିତ୍ର ହୋଇଚି ?

 

ଲକ୍ଷ୍ମଣ –ଦେବୀଙ୍କର ଅଗ୍ନିଶୁଦ୍ଧି ପର୍ଯ୍ୟନ୍ତ ।

 

ରାମ – ଆଜନ୍ମ ଶୁଦ୍ଧ ଯାର କି ଲୋଡ଼ା ତାହାର ଅନ୍ୟ ପାବନେ ? କିଏ ତୀର୍ଥୋଦକେ, ଅଥବା ପାବକେ,

ଶୋଧେ ଭୁବନେ ?

 

ହେ ଦେବୀ ! ପବିତ୍ର ଯଜ୍ଞଭୂମିରେ ତୁମର ଜନ୍ମ, ତୁମେ ଚିରପବିତ୍ର ? କିନ୍ତୁ ହାୟ, ତୁମ ବିଷୟରେ ଏହି ଲୋକାପବାଦ ଯାବଜ୍ଜୀବନ ରହିଲା !

 

କଷ୍ଟ ହେଲେହେଁ ପ୍ରଜାରଞ୍ଜନ ବ୍ରତ

ପାଳନ୍ତି କୁଳ-ଧର୍ମେ ଜନେ ସନ୍ତତ ।

ତେଣୁ କହିଛି ଯାହା ଅପ୍ରିୟ ବାଣୀ,

ନୁହେଁ ତା ତବ, ଯୋଗ୍ୟ ହେ ହୃଦରାଣୀ !

ଶିରେ ସୁରଭି ପୁଷ୍ପ ଧାରଣ ବିଧି,

ପଦେ ଦଳିବା ତାକୁ ଅଟେ ଅବିଧି ।

 

ସୀତା – ସେ ଯାହା ହେବାର ହେଉ । ଆସ, ଏବେ ଚିତ୍ର ଦେଖିବା । (ଉଠି ପରିକ୍ରମ କରି )

 

ଲକ୍ଷ୍ମଣ – ଏଇ ସେହି ଚିତ୍ର ।

 

ସୀତା –      (ନିରୀକ୍ଷଣ କରି) ଉପରେ ସେଗୁଡ଼ିକ କ’ଣ ? ବୋଧହେଉଛି, ସତେ ଯେମନ୍ତେ ସେମାନେ ଆର୍ଯ୍ୟପୁତ୍ରଙ୍କୁ ସ୍ତବ କରୁଛନ୍ତି!

 

ଲକ୍ଷ୍ମଣ –ସେଗୁଡ଼ିକ ମନ୍ତ୍ରପୁତ କୃମ୍ଭକାସ୍ତ୍ର । ପୂର୍ବେ କୃଶାଶ୍ୱ ମୁନି ସେଗୁଡ଼ିକ ବିଶ୍ୱାମିତ୍ର ମୁନିଙ୍କୁ ଦେଇଥିଲେ । ପରେ ବିଶ୍ୱାମିତ୍ର ମୁନି ପ୍ରସନ୍ନ ହୋଇ ତାଡ଼କାବଧ ସମୟରେ ଆର୍ଯ୍ୟଙ୍କୁ ଦାନ କଲେ ।

 

ରାମ – ଦେବି ! ସେହି ଦିବ୍ୟାସ୍ତ୍ରମାନଙ୍କୁ ନମସ୍କାର କର ।

 

ବ୍ରହ୍ମାଦି ଦେବଗଣ ଦାନବ-ଅରି

ଦେବ-ହିତାର୍ଥେ ଘୋର ତପ ଆଚରି

ଲଭିଲେ ଅବଶେଷେ ସେ ଅସ୍ତ୍ରମାନ

ନିଜର ତପୋମୟ ତେଜ-ପ୍ରମାଣ ।

 

ସୀତା – ଅସ୍ତ୍ରଦେବତାମାନଙ୍କୁ ନମସ୍କାର ।

 

ରାମ – ଏଣିକି ସେ ଅସ୍ତ୍ରଗୁଡ଼ିକ ତୁମ ସନ୍ତାନମାନଙ୍କର ହେବ ।

 

ସୀତା – ଏ ତୁମର ଅନୁଗ୍ରହ ।

 

ଳକ୍ଷ୍ମଣ –ଆର୍ଯ୍ୟେ, ଏଇ ମିଥିଳା ବୃତ୍ତାନ୍ତ ।

 

ସୀତା –(ଆନନ୍ଦରେ) ଏହା ଯେ ଧନୁର୍ଭଙ୍ଗର ଚିତ୍ର !

ନବବିକଶିତ ନୀଳକମଳ,

ପରାଏ ଶ୍ରୀତନୁ ସ୍ନିଗ୍‌ଧ ଶ୍ୟାମଳ

ଆର୍ଯ୍ୟପୁତ୍ର ଶିରେ ଶୋଭେ ଶ୍ରୀଖଣ୍ଡ,

ହସ୍ତେ ଧରିଛନ୍ତି ହର-କୋଦଣ୍ଡ ।

ହେଳେ ଭାଙ୍ଗି ଧନୁ ଉଭା ମୋ ନାଥ,

ଚାହିଁଛନ୍ତି ହର୍ଷ ବିସ୍ମୟେ ତାତ ।

 

ଲକ୍ଷ୍ମଣ –ଆର୍ଯ୍ୟେ, ଦେଖ ଦେଖ, ତୁମର ପିତା ଓ ତାଙ୍କ କୁଳପୁରୋହିତ ଶତାନନ୍ଦ କିପରି ଆମ ପକ୍ଷର ବଶିଷ୍ଠାଦି ମାନ୍ୟ ଲୋକମାନଙ୍କର ଅର୍ଚ୍ଚନା କରୁଛନ୍ତି ।

 

ରାମ- ହଁ, ଏହା ଦେଖିବାର ଯୋଗ୍ୟ ।

 

ଏ ସମ୍ବନ୍ଧ ଜନକ ଓ ରଘୁଙ୍କ କୁଳର

ନୁହଁଇ କାହାର ପ୍ରିୟ ଏହି ଭୁବନର ?

ମଧ୍ୟସ୍ଥରୂପରେ ଯହିଁ କୁଶିକନନ୍ଦନ

କରୁଛନ୍ତି ସମ୍ପ୍ରଦାନ ଆବର ଗ୍ରହଣ ।

 

ସୀତା – ଏଇ ତୁମେ ଚାରି ଭାଇ ସେ ସମୟରେ ଗୋଦାନ ମଙ୍ଗଳ-ବିଧି ସାରି ବିବାହଦୀକ୍ଷିତ ହୋଇ ବସିଅଛ ।

ଆହା, ମତେ ଲାଗୁଛି, ଯେମନ୍ତ କି ସେହି ସମୟରେ ଆଉ ସେହି ସ୍ଥାନରେ ମୁଁ ଏବେ ବି ଅଛି ।

 

ରାମ –      ହଁ ମତେ ବି ସେହିପରି ଲାଗୁଛି ।

ଲାଗୁଛି, ଆଗତ ଯେହ୍ନେ ପୁଣି ସେ ସମୟ,

ଯେବେ ଶତାନନ୍ଦ ଋଷି ଗୌତମତନୟ,

ଅର୍ପିଲେ ମୋ ହସ୍ତେ ଆହା ସେ ଶ୍ରୀକର ତବ,

କଙ୍କଣ-ମଣ୍ଡିତ ମୋର ପ୍ରତ୍ୟକ୍ଷ ଉତ୍ସବ ।

 

ଲକ୍ଷ୍ମଣ – ଏଇଟି ଆର୍ଯ୍ୟା ଜାନକୀଙ୍କ ଛବି, ଏଇଟି ଆର୍ଯ୍ୟା ମାଣ୍ଡବୀଙ୍କର, ଏଇଟି ବଧୂ ଶ୍ରୁତକୀର୍ତ୍ତିଙ୍କର ।

 

ସୀତା – ବତ୍ସ ଲକ୍ଷ୍ମଣ ! ଆଉ ଏ ଛବିଟି କାହାର ?

 

ଲକ୍ଷ୍ମଣ –      (ଲଜ୍ଜିତ ହୋଇ, ଅଳ୍ପ ହସି, ମୁଖ ଫେରାଇ ସ୍ୱଗତ) ଓଃ, ଆର୍ଯ୍ୟା ଉର୍ମିଳା କଥା ପଚାରୁଛନ୍ତି । ହଉ, ଚିତ୍ରର ଅନ୍ୟ ଅଂଶ ଦେଖାଇ ଦିଏଁ । (ପ୍ରକାଶ୍ୟରେ) ଆଉ ଗୋଟିଏ ଅଂଶ ଦେଖନ୍ତୁ, ଭଗବାନ୍‌ ପରଶୁରାମ ।

 

ସୀତା – (ତ୍ରସ୍ତା ହୋଇ) ଏହାଙ୍କୁ ଦେଖି ମୋର ଭୟ ହେଉଚି ।

 

ରାମ – ମହର୍ଷେ, ନମସ୍ତେ ।

 

ଲକ୍ଷ୍ମଣ – ଆର୍ଯ୍ୟେ, ଦେଖ ଆର୍ଯ୍ୟ ପରଶୁରାମଙ୍କୁ ଯୁଦ୍ଧରେ – (ଏହି ଅର୍ଦ୍ଦୋକ୍ତି କରନ୍ତେ) . . .

 

ରାମ – (ଅଳ୍ପ ବିରକ୍ତିଭାବରେ) ଆଃ, ଆହୁରି ତ ଅନେକ ଦେଖିବାର ଅଛି, ସେସବୁ ଦେଖାଅ ।

 

ସୀତା –      (ରାମଙ୍କ ଆଡ଼କୁ ପ୍ରୀତ ଓ ବହୁ ମାନପୂର୍ବକ ଅନାଇ) ନାଥ, ଏଇ ବିନୟ ଗୁଣରେ ଆହା ତୁମେ କେଡ଼େ ଶୋଭାପାଉଚ।

 

ଲକ୍ଷ୍ମଣ – ଏଇ ଆମର ଅଯୋଧ୍ୟାପ୍ରବେଶର ଚିତ୍ର ।

 

ରାମ – (ସାଶ୍ରୁନୟନରେ) ଆହା ମନେ ପଡ଼ୁଛି, ସେ ସମୟର କଥାସବୁ ମନେପଡ଼ୁଛି –

 

ଥିଲେ ପିତୃଦେବ ଭବେ, ନବ ବିବାହ ଉତ୍ସବେ

କି ପୁଲକେ ପୁରିଥିଲା ସବୁରି ପ୍ରାଣ,

ମାତାଙ୍କ ସ୍ନେହ-ଆଦର, କାହିଁ ତାର ପଟାନ୍ତର

ଆହା ଚାଲିଯାଇଅଛି ସେ ଦିନମାନ ।

କିଶୋରି ବାଳିକା ଆହା ଜାନକୀ ସେକାଳେ,

ଶୋଭିତ କପାଳ-ପ୍ରାନ୍ତ ସୂକ୍ଷ୍ମ କେଶମାଳେ ।

କୁନ୍ଦକଳିସମ ଦନ୍ତପତି କି ସୁନ୍ଦର !

ସେ ନିର୍ମଳ ମୁଖପଦ୍ମ କିବା ମନୋହର !

ଚନ୍ଦ୍ରିକା ପରାୟେ ଶୁଭ୍ର ଚାରୁ ସେ ଶ୍ରୀଅଙ୍ଗ,

ସହଜ ସୁନ୍ଦର କିବା ତାର ଲୀଳାରଙ୍ଗ ।

ଦେଖି ଯାହା ଜନନୀଏ ମହା କୌତୁକରେ

ହେଉଥିଲେ ଆନନ୍ଦିତ ବିମଳ ଅନ୍ତରେ ।

 

ଲକ୍ଷ୍ମଣ – ଏ ମନ୍ଥରା ।

 

ରାମ – (କିଛି ଉତ୍ତର ନ ଦେଇ ଅନ୍ୟ ଆଡ଼କୁ ଦେଖାଇ) ହେ ଦେବୀ ! ଦେଖ,

 

ଶୃଙ୍ଗବେରପୁରେ            ନିଷାଦରାଜନ

ଗୃହ ସଙ୍ଗେ ଭେଟ ଯହିଁ,

ସେ ଇଙ୍ଗୁତି ତରୁ       ଦେଖ ଦେଖ ଦେବି !

ଯା ମୂଳେ ଥିଲ ଗୋ ରହି ।

 

ଲକ୍ଷ୍ମଣ – (ହସି, ସ୍ୱଗତ) ହୁଁ ମଧ୍ୟମ ମାତା କୈକେୟୀଙ୍କ କଥା ଆର୍ଯ୍ୟ ଏକାବେଳକେ ଛାଡ଼ିଗଲେ ।

 

ସୀତା – ନାଥ, ଏ ତୁମର ଜଟାବନ୍ଧନର ଚିତ୍ର ।

 

ଲକ୍ଷ୍ମଣ – ପୁତ୍ରେ ଦେଇ ରାଜ୍ୟଭାର ବୃଦ୍ଧ ବୟସରେ,

ଯେ ବନପ୍ରସ୍ଥାନବ୍ରତ ବହୁ ଆୟାସରେ,

ଆଚରିଲେ ଆମ୍ଭ କୁଳେ ବହୁ ନୃପଗଣ,

ବାଲ୍ୟ ସେହି ବ୍ରତ ଆର୍ଯ୍ୟ

କରିଲେ ପାଳନ ।

 

ସୀତା – ଏ ପ୍ରସନ୍ନ –ପବିତ୍ର-ସଲିଳା ଭଗବତୀ ଗଙ୍ଗା ।

 

ରାମ –ରଘୁକୁଳେଶ୍ୱରୀ ଗଙ୍ଗେ, ତୁମ୍ଭଙ୍କୁ ମୋର ନମସ୍କାର ।

 

ଆରମ୍ଭିଲା ଅଶ୍ୱମେଧ ସଗରରାଜନ,

ଅଶ୍ୱ ଅନ୍ୱେଷଣ ବ୍ୟଗ୍ର ତାଙ୍କ ପୁତ୍ରଗଣେ

ଧାଇଁଲେ ମୁନିଙ୍କ ରୋଷେ ଭସ୍ମହେଲେ ଶେଷେ।

କଠୋର ତପସ୍ୟା ବିହି ରଥୀ ଭଗୀରଥ

ଆଣିଲେ ମା’ ଗଙ୍ଗେ ତୋତେ ଏ ଅରଣ୍ୟ-ପଥ।

ଉଦ୍ଧାରିଲେ ଭାଗିରଥୀ, ତୋର ପୁଣ୍ୟଜଳେ

ସେ ରାଜର୍ଷି ଚିରଦଗ୍‌ଧ ପର୍ବତ ସକଳେ ।

କୁଳଦେବତା ମା’ ଗଙ୍ଗେ ତୁମେ ମଧ୍ୟ

ଅରୁନ୍ଧତୀଙ୍କ ପରି ତୁମର ଏହି ପୁତ୍ରବଧୂ

ସୀତାଙ୍କର କଲ୍ୟାଣଙ୍କ ସର୍ବଦା ମନାସୁଥାଅ ।

 

ଲକ୍ଷ୍ମଣ – ଆର୍ଯ୍ୟ, ଚିତ୍ରକୁଟକୁ ଯିବା ବାଟରେ ଏହି ସେହି ଶ୍ୟାମବଟ ନାମକ ଯମୁନାତୀରସ୍ଥ ମହାବୃକ୍ଷ, ଯାହା ମହାମୁନି ଭରଦ୍ୱାଜ ଆମ୍ଭମାନଙ୍କୁ ଦେଖାଇ ଦେଇିଥିଲେ ।

 

ସୀତା – ଆର୍ଯ୍ୟପୁତ୍ର । ଏ ସ୍ଥାନଟି ତୁମ ମନେଅଛି ତ ?

 

ରାମ –       ପ୍ରିୟେ, ସେ କି ମନରୁ ପାସୋର ଯିବ ?

କମଳ-ମୃଣାଳୁ ସମ କୋମଳ ସୁନ୍ଦର

ପଥ-ଶ୍ରମେ ପରିଶ୍ରାନ୍ତ ଶ୍ରୀଅଙ୍ଗ ତୁମର

ନିହି ମୋ ବକ୍ଷରେ ଗାଢ ଆଲିଙ୍ଗନଭରେ

ନନ୍ଦ୍ରିତ ଥିଲ ଗୋ ଦେବି, ସୁଖେ ଏ ସ୍ଥାନରେ ।

 

ଲକ୍ଷ୍ମଣ – ଏଠାରେ ବିନ୍ଧ୍ୟାବଟାର ଆରମ୍ଭ । ଏହିଠାରେ ବିରାଧ ରାକ୍ଷସ ସଙ୍ଗେ ଭେଟ ହୋଇଥିଲା ।

 

ସୀତା –ସେ କଥା ଥାଉ । ଏଇ ଦେଖ, ଦକ୍ଷିଣାରଣ୍ୟ ପ୍ରବେଶ ସମୟରେ ଆର୍ଯ୍ୟପୁତ୍ର ତାଳପୁତ୍ର-ଛତା ଧରିଛନ୍ତି।

 

ରାମ –      ଗିରିନିର୍ଝରିଣୀ ତଳେ ଏହି ସେହି ତପୋବନ,

ଆଶ୍ରମ ପାଦପଦଗଣେ ଛାୟମୟ ସୁଶୋଭନ ।

ଯହିଁ ଗୃହୀ ମୁନିଗଣ ନୀବାରାନ୍ନ ବିତରଣେ

ପବିତ୍ର ଆତିଥ୍ୟ ବ୍ରତ ସଦା ପାଳନ୍ତି ଯତନେ ।

 

ଲକ୍ଷ୍ମଣ – ଏଇ ସେହି ଜନ୍ମସ୍ଥାନ-ମଧ୍ୟଗତ ପ୍ରସ୍ରବଣ

ଗିରି । ଚାରିଆଡ଼େ ନିବିଡ଼ ତରୁ-ସମାଚ୍ଛନ୍ନ ସ୍ନିଗଧ୍‌ ଶ୍ୟାମଳ-ଅରଣ୍ୟ ପ୍ରାନ୍ତରୁ ପ୍ରବାହିତ ହୋଇ ଗୋଦାବରୀ ନଦୀ ଗିରିର କନ୍ଦରକୁ କଳକଳ ଧ୍ୱନିରେ ନିନାଦିତ କରୁଅଛି । ସଜଳ ମେଘମାଳା ଗିରିଦେହ ମଣ୍ଡିତ କରି ତାହା ନୀଳିକାନ୍ତିକୁ ସ୍ନିଗ୍‌ଧ ସୁନ୍ଦର କରୁଅଛି ।

 

ରାମ –

ମନେ ପଡ଼ୁଛି କି ସୀତେ ? ଏ ରମ୍ୟ ଭୂଧରେ

ଲକ୍ଷ୍ମଣଙ୍କ ସେବାଗୁଣେ ଥିଲୁଁ କି ସୁଖରେ !

ପୁଣ୍ୟ ଗୋଦାବୀରେ ସ୍ନାନ, ତା ତାଟେ ବିହାର

ମୋ ମନେ ପଡ଼ୁଛି ପ୍ରିୟେ, ଶତ ଶତ ବାର

ଭୁଜେ ଭୁଜ ଭିଡ଼ା ଦୃଢ ଗାଢ ଆଲିଙ୍ଗନେ,

ଗଣ୍ଡେ ଗଣ୍ଡ ଲଗ୍ନ କିବା ମଧୁର ମିଳନେ,

ଏହି ଭାବେ କଥା କହୁଁ କହୁଁ ଅବିରତେ

ପାହିଗଲା ବିଭବରୀ ଆମ୍ଭ ଅଜାଣତେ ।

 

ଲକ୍ଷ୍ମଣ – ଏଇ ଦେଖ, ପଞ୍ଚବଟୀର ସୂର୍ପଣଖା ।

 

ସୀତା – ହା ଆର୍ଯ୍ୟପୁତ୍ର ! ତୁମ ସଙ୍ଗେ ଦେଖା ଏତିକି ସିନା।

 

ରାମ – ତୁମେ ଭୟ କାହିଁକି କରୁଛ ? ଏହା ତ କେବଳ ଚିତ୍ର ।

 

ସୀତା –ଯାହାହେଉ, ଦୁର୍ଜନର ନାମରେ ସୁଦ୍ଧା ଡର ମାଡ଼େ।

 

ରାମ – କି ଆଶ୍ଚର୍ଯ୍ୟ ! ଘଟଣାଟି ଏତେକାଳପରେ ସୁଦ୍ଧା ବର୍ତ୍ତମାନର ପରି ଲାଗୁଛି ?

 

ଲକ୍ଷ୍ମଣ – ଜନକର ମାୟାମୃଗ ରଚିଣ ରାକ୍ଷସେ

ଯାହା କଲେ, ଅଦ୍ୟାପି ତା ବ୍ୟଥଇ ମାନସେ ।

ଯଥୋଚିତ ପ୍ରତିକାର ହେଲେହେଁ ତାହାର,

ମନୁ କେଭେ ଯାଉନାହିଁ ସେ ଘୋର ବ୍ୟାପାର ।

ଆର୍ଯ୍ୟଙ୍କ ବିକଳ ଖେଦେ ସ୍ତବଧ୍‌ ଚରାଚର,

କାନ୍ଦଇ ପାଷାଣ, ଫାଟେ କୁଳିଶ ଅନ୍ତର ।

 

ସୀତା – (ସାଶ୍ରୁନୟନରେ ସ୍ୱଗତ) ହା ନାଥ ।

ରଘୁକୁଳାନନ୍ଦ, ମୋଲାଗି କେତେ ଦୁଃଖ ପାଇଚ!

 

ଲକ୍ଷ୍ମଣ – (ରାମଙ୍କ ଆଡ଼କୁ ଅନାଇଁ)

ମୁକ୍ତା ଗୋଟି ଗୋଟି ଯଥା ଛିଣ୍ଡିଗଲେ ହାର

ଖସିପଡ଼େ ଭୂମିପରେ ତେସନ ପ୍ରକାର,

ହେ ଆର୍ଯ୍ୟ, ନୟନୁ ତବ ଝରି ଅଶ୍ରୁଜଳ

କେମନ୍ତେ କରୁଛି ଆହା ସିକ୍ତ ମହୀତଳ !

ରୋଧିଲେ ହେଁ ଶୋକାବେଗ ସେ ମର୍ମବେଦନା

ଓଷ୍ଠ-ନାସାପୁଟ-କମ୍ପୁ ପଡୁଅଛି ଜଣା ।

 

ରାମ - ପ୍ରତିକାର ବାଞ୍ଛା ହୃଦେ ଧରି ସେ କାଳରେ

ସହିଥିଲି ସେ ଦାରୁଣ ଶୋକ ଏ ଅନ୍ତରେ ।

ଆଜି ପୁଣି ନବଭାବେ ଚିତ୍ର-ଦରଶନେ

ଜଳିଉଠୁଅଛି ସେହି ଦୁଃଖାଗ୍ନି ଏ ମନେ ।

 

ସୀତା – (ସ୍ୱଗତ) ହାୟ ହାୟ ! ମୋ ମନ ମଧ୍ୟ ଆଜି ଆର୍ଯ୍ୟପୁତ୍ରଙ୍କୁ ହରାଇଲା ପରି ବଡ଼ ବିକଳ ହେଉଛି ।

 

ଲକ୍ଷ୍ମଣ –      (ସ୍ୱର୍ଗତ) ହଉ, ୟାକୁ ଆଉ ଗୋଟିଏ କିଛି ବିଷୟ ଦେଖାଇବି । (ଚିତ୍ରପଟ ଆଡ଼କୁ ଅନାଇ ପ୍ରକାଶ୍ୟରେ) ଏ ମନ୍ୱନ୍ତର-ପୁରାଣ ଗୃଧ୍ରରାଜ ପୂଜନୀୟ ତାତ ଜଟାୟୁ । ଏଇଠାରେ ତାଙ୍କ ବିକ୍ରମ କଥା ଚିତ୍ରିତ ହୋଇଅଛି ।

 

ସୀତା – ହା ତାତ ଗୃଧରାଜ ! ତୁମ ସନ୍ତାନ ବାତ୍ସଲ୍ୟର ପରାକାଷ୍ଠା ଦେଖାଇଅଛ ।

 

ରାମ – ହା ତାତ ଜଟାୟୁ ! ତୁମ ପରି ମହାତୀର୍ଥରୂପ ସାଧୁ ଆଉ କି କାହିଁ ମିଳିବେ ?

 

ଲକ୍ଷ୍ମଣ –      ଦେଖ, ଜନସ୍ଥାନର ପଶ୍ଚିମ ଦିଗରେ ଏଇ ସେହି ଚିତ୍ରକୁଞ୍ଜବାନ୍‌ ନାମକ ଦଣ୍ଡକାରଣ୍ୟର ଗୋଟିଏ ଭୂଭାଗ । ଏଇଥିରେ କବନ୍ଧ ରାକ୍ଷସର ବସତି ଥିଲା । ଏଇ ଦେଖ, ଋଷ୍ୟମୂକ ପର୍ବତରେ ମତଙ୍ଗ ମୁନିଙ୍କର ଆଶ୍ରମ । ଏଇ ସିଦ୍ଧ ଶବରୀ ଶ୍ରମଣାଙ୍କର ଛବି । ଆଉ ଏ ପମ୍ପା ନାମେ ସରୋବର ।

 

ସୀତା –      ଯେଉଁଠାରେ ଆର୍ଯ୍ୟପୁତ୍ର ଧୈର୍ଯ୍ୟ ଧରି ନ ପାରି ମୁକ୍ତ କଣ୍ଠରେ କାନ୍ଦିଥିଲେ ?

 

ରାମ –      ଦେବି, ଏ ପମ୍ପା ସରୋବର ଅତ୍ୟନ୍ତ ରମଣୀୟ ।

 

କ୍ରୀଡ଼ାମତ୍ତ ହଂସ            କଳକଳ ନାଦେ

ପୂରିତ ଏ ସରୋବର,

ତାଙ୍କରି ଡେଣାର            ପବନେ କମ୍ପିତ

ସନାଳ ପଦ୍ମନିକର ।

ନୀଳ କୁବଳୟେ            ବିମଣ୍ଡିତ ପୁଣି

ସେ ସରସୀ ଠାବେ ଠାବେ,

ସେ ବିଚିତ୍ର ଶୋଭା            ଦେଖିଥିଲା ନେତ୍ର

ଘୋର ଶୋକାକୁଳଭାବେ ।

ଏକ ଅଶ୍ରୁବିନ୍ଦୁ            ପଡନ୍ତେ ନୟନୁ

ଆଉ ଝରୁଥିଲା ପୁଣି,

ସେହି ଅବସରେ            ଦେଖିଥିଲି ପ୍ରିୟେ

ଏ ମନୋଜ୍ଞ ବନଭୂମି ।

 

ଲକ୍ଷ୍ମଣ – ଏ ଆର୍ଯ୍ୟ ହନୁମାନ୍‌ ।

ସୀତା–      ହଁ, ଏଇ ସେ ମହାତ୍ମା ମହୋପକାରୀ ମାରୁତି, ଯେ ଚିରସନ୍ତପ୍ତା ଏଇ ଦୁଃଖିନୀର ଉଦ୍ଧାର ଲାଗି କେତେ ଯତ୍ନ କରିଥିଲେ।

 

ରାମ – ଯାର ଭୁଜବଳେ ଧନ୍ୟ ଆମ୍ଭେ ସର୍ବେ,

ଆବର ଭୁବନ,

ସେହି ଏହି ମହାବାହୁ ମହାବୀର

ଅଞ୍ଜନା-ନନ୍ଦନ ।

 

ସୀତା – ବତ୍ସ !ଏ ପର୍ବତଟିର ନାମ କଅଣ, ଯହିଁରେ କଦମ୍ୱ ବୃକ୍ଷଗୁଡ଼ିକ ପୁଷ୍ପରେ ମଣ୍ଡିତ ହୋଇଅଛି; ଆଉ ମୟୁରମାନେ ନୃତ୍ୟ କରୁଛନ୍ତି ? ହାୟ ! ଗୋଟିଏ ବୃକ୍ଷମୂଳରେ ଆର୍ଯ୍ୟପୁତ୍ର ମୂର୍ଚ୍ଛିତ ପରି ଦିଶୁଛନ୍ତି; ତୁମେ ତାଙ୍କୁ ଧରି କାନ୍ଦୁଛ । ଆହା, ତାଙ୍କ ଶରୀର କିପରି କୃଶ ଓ ମୁଖକାନ୍ତ କିପରି ମଳିନ ! ସବୁ ଯାଇଅଛି; କେବଳ ପୁଣ୍ୟତେଜର ଶ୍ରୀଟିକ ତୁଟି ନାହିଁ ।

 

ଲକ୍ଷ୍ମଣ – ଅର୍ଜ୍ଜୁନ କୁସୁମେ ସୁରଭି

ମାଲ୍ୟବନ୍ତ ଏ ଗିରି,

ଯା ଶିଖରେ ନବ ମେଘର

ସ୍ନିଗ୍‌ଧ ସୁନୀଳ ଶିରୀ ।

 

ରାମ –ଥାଉ ଥାଉ ବତ୍ସ, ସମ୍ଭାଳି

ଆଉ ନ ପାରେ ପ୍ରାଣ,

ବାହୁଡ଼ି ଅଇଲା କିଅବା

ତୀବ୍ର ବିଚ୍ଛେଦ-ବାଣ ।

 

ଲକ୍ଷ୍ମଣ – ଏଥିଉତ୍ତାରେ ଆର୍ଯ୍ୟଙ୍କର ଆଉ କପି ରାକ୍ଷସମାନଙ୍କର ଅସଂଖ୍ୟ ଅଦ୍ଭୁତ କର୍ମମାନ ଚିତ୍ରିତ ହୋଇଅଛି । ଆର୍ଯ୍ୟ ଶ୍ରାନ୍ତ ହୋଇପଡ଼ିଲେଣି । ତେବେ ଆଜି ବିଶ୍ରାମ କରନ୍ତୁ।

 

ସୀତା – ଆର୍ଯ୍ୟପୁତ୍ର ! ଏଇ ସବୁ ଚିତ୍ର ଦେଖି ମୋ ମନରେ ଗୋଟିଏ ଅଭିଳାଷ ଜନ୍ମିଛି ।

 

ରାମ – କ’ଣ କହ ?

 

ସୀତା –ମନେ ହେଉଚି, ପୁଣି ସେହି ଶାନ୍ତ ଅରଣ୍ୟରେ ବୁଲନ୍ତି, ଆଉ ପବିତ୍ର ଶୀତଳ ଭାଗୀରଥି-ଜଳରେ ସ୍ନାନ କରନ୍ତି ।

 

ରାମ –ବତ୍ସ ଲକ୍ଷ୍ମଣ !

 

ଲକ୍ଷ୍ମଣ –ଆଜ୍ଞା କରନ୍ତୁ ।

 

ରାମ –ଗୁରୁଜନମାନେ ସଂପ୍ରତି ପ୍ରବେଶ କରିଚନ୍ତି, ସୀତାଙ୍କର ଯାହା ଅଭିଳାଷ ହେବ, ତାହା ତତ୍କାଳ ପୂର୍ଣ୍ଣ କରିବ । ତେବେ ଶୀଘ୍ର ଏପରି ଗୋଟିଏ ରଥ ଅଣାଅ, ଯହିଁରେ ଦେହ ଦୋହଲିବ ନାହିଁ; ବେଶ୍‌ ସୁଖରେ ଯାଇପାରିବେ।

 

ଲକ୍ଷ୍ମଣ – ଯେ ଆଜ୍ଞା ।

 

ସୀତା – ନାଥ, ତୁମେ ବି ମୋ ସଙ୍ଗରେ ଯିବ ।

 

ରାମ – କଠିନ ହୃଦୟେ, ଏହା ପୁଣି ପଚାରୁଚ ?

 

ସୀତା – ତାହାହେଲେ ମୋ ମନୋରଥ ପୂର୍ଣ୍ଣ ହେବ ।

 

ରାମ –ପ୍ରିୟେ, ଆସ, ଏହି ଖିଡ଼ିକି ପାଖରେ ଟିକିଏ ବସିବା ।

 

ସୀତା – ହଉ, ଶ୍ରାନ୍ତି ହେତୁରୁ ନିଦ୍ରାରେ ମୋ ଦେହ ଘୋରି ହେଉଚି ।

 

ରାମ – ତେବେ ମୋତେ ଅବଲମ୍ୱନ କରି ଏଇଠାରେ ଶୁଅ ।

 

ଚନ୍ଦ୍ରିକା-ଚୁମ୍ୱିତ            ତେଣୁ ବିଗଳିତ

ଚନ୍ଦ୍ରକାନ୍ତ ହାରସମ ।

ଭୟ ଶ୍ରାନ୍ତି ଯୋଗୁଁ,            ସ୍ୱେଦବିନ୍ଦୁମୟ

ତବ ଭୁଜ ମନୋରମ ।

ସେହି ଭୁଜଲତା      ମୋ କଣ୍ଡେ ଅରପି

ସୁଖେ ଶୁଅ ପ୍ରିୟତମେ !

ନବ ସଞ୍ଜୀବନ            ସେ ମୋ ଜୀବନ

ସିକ୍ତ ହେଉ ମର୍ମେ ମର୍ମେ ।

 

(ସୀତାଙ୍କ ବାହୁ ନିଜକଣ୍ଠରେ ରଖି ଆନନ୍ଦରେ)

 

ପ୍ରିୟେ, ଏ କଣ ?

ସୁଖ କି ଦୁଃଖ ଏହା ନୁହଇ କଳି,

ମୋହ ବା ନିଦ୍ରା କିବା ମତ୍ତତା ଭଳି ।

କିବା ଗହଳ ଦେହେ ଯାଉଛି ଚରି,

ଇନ୍ଦ୍ରିୟଗଣେ ଆହା ବିମୂଢ଼ କରି ।

ତବ ସ୍ପର୍ଶର ଏ କି ଅଦ୍ଭୁତ ଗୁଣ,

କ୍ଷଣେ ବୁଡ଼ାଏ ଜ୍ଞାନ, ଚେତାଏ ପୁଣ ।

 

ସୀତା – (ହସି) ତୁମର ଅତୁଲ୍ୟ ସ୍ନେହ ଏଥିର ହେତୁ; ଅନ୍ୟ କିଛି ନୁହେଁ ।

 

ରାମ – ହେ ପଦ୍ମନୟନେ,ତବ ମଧୁର ବଚନ,

ଅଟେ କର୍ଣ୍ଣାମୃତ ପୁଣି ହୃଦରସାୟନ ।

ଇନ୍ଦ୍ରିୟନିକରେ ମୁଗ୍‌ଧ କରଇ ପୁଲକେ,

ମ୍ଳାନ ଜୀବ-କୁସୁମକୁ ଫୁଟାଏ ପଲକେ ।

 

ସୀତା – ନାଥ, ତୁମେ କେତେ ମିଷ୍ଟ କହି ଜାଣ । ଆସ ଶୋଇବା ।

(ଶଯ଼୍ୟାପାଇଁ ଇତସ୍ତତଃ ଅବଲୋକନ)

 

ରାମ – ଆଉ କଣ ଖୋଜୁଚ ?

 

ବିବାହ-ଦିନୁ ବାଲ୍ୟେ ପୁଣି ଯୌବନେ

ତୁମ୍ଭରି ଶୟନାର୍ଥ ଗୃହେ ବା ବନେ

ଏ ବାହୁ ଉପାଧାନ ଏକା ତୁମ୍ଭରି;

ତହିଁ ମସ୍ତକ ନିହି ଶୁଅ ସୁନ୍ଦନରି !

 

ସୀତା –(ସେହିପରି ଶୋଇ) ଏ ମୋହରି କେବଳ; ହଁ, ଏ ମୋହରି !                   (ନିଦ୍ରିତ)

 

ରାମ –ପ୍ରିୟଭାଷିଣୀ ମୋ ବକ୍ଷରେ ଏବେ ଶୋଇ-ପଡ଼ିଲେ !             (ସସ୍ନେହେ ଅନାଇ)

 

ଗୃହେ ଲକ୍ଷ୍ମୀ ମୋର       ମୋ ନେତ୍ରର ପୁଣି

ଅମୃତ ଅଞ୍ଜନ ସରି,

ସେ ଅଙ୍ଗ ପରଶେ            ମଣଇ ଚନ୍ଦନ

ଦେହେ ବୋଳାହେଲା ପରି ।

ସେ ଭୁଜ ମୋ କଣ୍ଠେ      ମୁକୁତାର ହାର

ପ୍ରାୟେ ସ୍ନିଗ୍‌ଧ ସୁଶୀତଳ,

ପ୍ରିୟାର ସବୁହିଁ            ପ୍ରୀତିକର ଏକା

ବିରହ କରେ ବିକଳ ।

 

ପ୍ରତିହାରୀ – ମହାରାଜାଙ୍କ ପରିଚାରକ ଦୁର୍ମୁଖ ।

 

ରାମ –      (ସ୍ୱଗତ) ମୁଁ ଅନ୍ତଃପୁରଚାରୀ ଦୁର୍ମୁଖକୁ ଗ୍ରାମବାସୀ ଓ ନଗରବାସୀଙ୍କର ବାର୍ତ୍ତା ଜାଣିବାପାଇଁ ପଠାଇଥିଲି । (ପ୍ରକାଶ୍ୟେ) ଆଚ୍ଛା, ସେ ଆସୁ ।

 

ଦୁର୍ମୁଖ –(ପ୍ରବେଶ କରି ସ୍ୱଗତ) ହାୟ ! ହାୟ ! ସୀତାଦେବୀଙ୍କ ବିଷୟରେ ଏହି ଅଭାବନୀୟ ଲୋକାପବାଦ ମୁଁ କିପରି ମହାରାଜଙ୍କୁ କହିବି ? ନ କହି ବା କଣ କରିବି ? ଏହି ହତଭାଗ୍ୟର କାର୍ଯ୍ୟ !

 

ସୀତା – (ସ୍ୱପ୍ନରେ) ହା ଆର୍ଯ୍ୟପୁତ୍ର ! କାହିଁ ଗଲ ?

 

ରାମ –ଚିତ୍ରଦର୍ଶନଜନିତ ବିରହଭାବନା ଯୋଗୁଁ ଦେବୀଙ୍କ ମନ ସ୍ୱପ୍ନରେ ସୁଦ୍ଧା ବ୍ୟକୁଳିତ ।

 

ସୁଖେ ଦୁଃଖେ ଏକରୂପେ ସେ ପ୍ରେମ ଆତୁଳ,

ସବୁ ଅବସ୍ଥାରେ ଯାହା ରହେ ଅନୁକୂଳ,

ବ୍ୟଥିତ ପ୍ରାଣର ଯାହା ବିଶ୍ରାମ ଅପାର,

ଜରା ହରି ନ ପାରଇ ସୁଧାରସ ଯାର,

କାଳବଶେ ଗଲେ ଚାଲି ସର୍ବ ଆବରଣ,

ସ୍ନେହସାର ରୂପେ ଥାଏ ପ୍ରେମ ଚିରନ୍ତନ ।

ଏସନ କଲ୍ୟାଣମୟ ପ୍ରେମର ବିଭବ,

ବିପୁଳ ବସୁଧା ମଧ୍ୟେ ଆହା କି ଦୁର୍ଲ୍ଲଭ !

 

ଦୁର୍ମୁଖ – ଜୟ ଜୟ ମହାରାଜ !

 

ରାମ –ଆଜି କି ବାର୍ତ୍ତା ଶୁଣିଚ, କହ ।

 

ଦୁର୍ମୁଖ –ପୁରବାସୀ ଓ ନଗରବାସୀ ସମସ୍ତେ ମହାରାଜାଙ୍କର ସ୍ମୃତି କରି କହୁାଅଛନ୍ତି ଯେ, ଶ୍ରୀରାମଚନ୍ଦ୍ରଙ୍କୁ ପାଇ ଆମେ ମହାରାଜା ଦଶରଥଙ୍କୁ ପାସୋରିଯାଉଛୁଁ ।

 

ରାମ –ଏ ତ କେବଳ ସ୍ତୁତିକଥା । ଦୋଷକଥା କିଛି ବାହାରିଥିଲେ କହ ଯେ, ତାହାର ପ୍ରତିବିଧାନ କରାଯିବ ।

 

ଦୁର୍ମୁଖ –(ସାଶ୍ରୁନେତ୍ରେ) ଯଦି ମଜ୍ଞା ହେଲା, ଶୁଣନ୍ତୁ । (କର୍ଣ୍ଣ ନିକଟରେ) ଏଇ ବାର୍ତ୍ତା ।

 

ରାମ –ଏ କି ପ୍ରଚଣ୍ଡ ବାଗ୍‌ବଜ୍ର !      (ମୁର୍ଚ୍ଛା)

 

ଦୁର୍ମୁଖ – ଭୋ ଦେବ ! ଆଶ୍ୱସ୍ତ ହୁଅନ୍ତୁ ।

 

ରାମ –(ଚେତନା ପାଇ) ହା ଧିକ୍‌ ! ହା ଧିକ୍‌ !

ପରଗୃହେ ଥିଲେ ଦେବି ଏ ଯେଉଁ ଦୂଷଣ,

ଅଦ୍ଭୁତ ଉପାୟେ ତାର ହୋଇଛି ଖଣ୍ଡନ ।

ଦୁର୍ଦୈବ ଯୋଗୁଁ ପୁଣି ସେ କଳଙ୍କ ଘୋର

ଶ୍ୱାନବିଷ ପ୍ରାୟେ ଘୋଟିଯାଏ ରାଜ୍ୟେ ମୋର ।

ହତ ଭାଗ୍ୟ ମୁଁ, କଣ କରିବି ? (ଭାଳି ଭାଳି)

ଏହା ଛଡ଼ା ଅନ୍ୟ ଗତି କାହିଁ ?

 

କୌଣସି ଉପାୟେ            ପ୍ରଜାଙ୍କୁ ତୋଷିବା

ଅଟେ ବ୍ରତ ସଜ୍ଜନର ।

ତେଜି ମୋତେ ପୁଣି            ତେଜି ନିଜ ପ୍ରାଣ

ଯାହା ପାଳିଲେ ପିଅର ।

ପୁଣି ସମ୍ପ୍ରତି ଭଗବାନ୍‌ ବଶିଷ୍ଠ ଏହିପରି ଆଦେଶ କରିଅଛନ୍ତି ।

ସୂର୍ଯ୍ୟବଂଶୀ ନରଶ୍ରେଷ୍ଠ ରାଜେନ୍ଦ୍ରନିକରେ

ଯେ କୁଳ ଉଜ୍ଜ୍ୱଳ କଲେ ଶୁଦ୍ଧ ଚରିତ୍ରରେ,

ସେ କୁଳେ ଲାଗିବ ଯଦି କଳଙ୍କ ମୋ ଲାଗି

ଧିକ ମୋତେ ହେବି ମୁହିଁ ଘୋର ପାପଭାଗୀ ।

 

ଧିକ ମୋତେ ହେବି ମୁହିଁ ଘୋର ପାପଭାଗୀ । ହା ଦେବୀ ପୁଣ୍ୟ ଯଜ୍ଞଭୂମି-ପ୍ରସୁତେ ! ତୁମ୍ଭ ଜନ୍ମଦ୍ୱାରା ବସୁନ୍ଧରା ପବିତ୍ରୀକୃତା । ହା ଜନକବଂଶନନ୍ଦିନି ! ଅଜ୍ନି, ବିଶିଷ୍ଠ ଅରୁନ୍ଧତୀ ତୁମ୍ଭ ପୁଣ୍ୟ ଚରିତ୍ରର ସାକ୍ଷୀ । ହା ରାମମୟଜୀବିତେ ! ହା ମହାରଣ୍ୟ-ବାସ-ପ୍ରିୟସଖି ! ହା ପ୍ରିୟବାଦିନି ମିତଭାଷିଣି ! ହାୟ, ତୁମର ଏ ପରିଣାମ ହେଲା ?

 

ତୁମ୍ଭ ଯୋଗୁଁ ପବିତ୍ର ଭୁବନ ।

ତୁମ୍ଭଙ୍କୁ ନିନ୍ଦନ୍ତି ପ୍ରଜାଜନ ।

ତୁମ୍ଭ ଲାଗି ସନାଥ ସରବେ ।

ଅନାଥା ହେବ ଗୋ ତୁମ୍ଭେ ଏବେ ।

 

(ଦୁର୍ମୁଖ ପ୍ରତି) ଲକ୍ଷ୍ମଣଙ୍କୁ କହ, ତୁମର ନୂତନ ରାଜା ଯେ ରାମ, ସେ ଏହି ଆଜ୍ଞା କରିଚନ୍ତି (କାନରେ) ଏଇ – ଏଇ।

 

ଦୁର୍ମୁଖ –      ମହାରାଜ, ଏ କି କଥା ବୋଲିବାହେଲେ ! ଯେଉଁ ଦେବୀ ଅଗ୍ନିରୁ ଶୁଦ୍ଧ ହୋଇ ବାହାରିଲେ, ଯେଉଁ ଦେବୀ ଗର୍ଭରେ ପବିତ୍ର ରଘୁକୁଳ ସନ୍ତାନ ଧାରଣ କରିଚନ୍ତି, ଦୁର୍ଜ୍ଜନ ବଚନରେ ତାଙ୍କ ପ୍ରତି ଏପରି ଅଯୋଗ୍ୟ ବ୍ୟବହାର କରିବାହେବେ?

 

ରାମ –ସେହିପରି କହ ନାହିଁ, ପ୍ରଜାମାନେ କିପରି ଦୁଜ୍ଜନ ହେଲେ ?

ଅନୁଗତ ଇକ୍ଷ୍ୱାକୁବଂଶର

ଅଯୋଧ୍ୟାର ପରଜାନିକର ।

ଅନଳରେ ପରୀକ୍ଷା ବ୍ୟାପାର

ହୋଇଲେହେଁ ଅତି ଚମତ୍କାର

ବହୁଦୂରେ ଘଟିଅଛି ଯାହା,

ଏବେ କେ ପରତେ ଯିବ ତାହା ?

 

ଦୁର୍ମୁଖ –ହା ଦେବି !

 

ରାମ –ହା, କି କଷ୍ଟ ! ଆଜି ମୁଁ କି ନିଷ୍ଠୁର ଜଘନ୍ୟ କର୍ମ କରିବାକୁ ବସିଛି ।

 

ବାଲ୍ୟକାଳୁ ପ୍ରିୟସଖୀ ମୋ ସ୍ନେହେ ପାଳିତା,

ମୋ ବିନା ଶରଣ ଆନ ନ ଜାଣନ୍ତି ସୀତା ।

ଆଜି କି କପଟ ମୁହିଁ ସହସା ଆଚରି

ମୃତ୍ୟୁମୁଖେ ପେଷୁଛି ସେ ପ୍ରାଣସହଚରୀ ।

ଜନ୍ତୁଙ୍କୁ ପୋଷିଣ ଗୃହେ କଂସାଇ ଯେସନ

ଅବଣଶେଷେ ଗଳା ତାର କରଇ ଛେଦନ ।

 

ତେବେ ମୁଁ ଅସ୍ପୃଶ୍ୟ ମହାପାତକୀ, ମୋ ସ୍ପର୍ଶଦ୍ୱାରା ଦେବୀଙ୍କୁ ଆଉ କିପରି ଦୂଷିତ କରିବି ?

(ଧୀରେ ଧୀରେ ମସ୍ତକ ଟେକି ହାତ କାଢିନେଇ)

 

ଛାଡ଼ ଦେବି ଛାଡ଼ ଏହି ଚଣ୍ଡାଳ ଅଧମେ,

ଆଶ୍ରିଅଛ ବିଷବୃକ୍ଷ ଚନ୍ଦନର ଭ୍ରମେ ।

 

(ଉଭାହୋଇ) ହାୟ ହାୟ ! ଜୀବଲୋକ ଏବେ ଉତ୍ସନ୍ନ ! ମୋ ଜୀବନରେ ଆଉ କି ପ୍ରୟୋଜନ ? ଜଗତ୍‌ ଶୂନ୍ୟ ଓ ଜୀର୍ଣ୍ଣାରଣ୍ୟପ୍ରାୟ, ଶରୀରଧାରଣ ଏବେ କେବଳ କଷ୍ଟମୟ ! ହାୟ ହାୟ, ମୁଁ କି କରିବି ? ମୋର କି ଗତି ହେବ ? କୁଆଡ଼େ ଯିବି ? ଅଥବା –

 

କେବଳ ଦୁଃଖଭୋଗ ନିମନ୍ତେ ରାମ

ଲଭିଅଛି ଚେତନା, ବିହି କି ବାମ ।

ମର୍ମଘାତୀ ପରାଣ ଅଟେ ମୋହର

ପୁଣି କୁଳିଶୁଁ ଟାଣ ସେହି ଅନ୍ତର ।

 

ହା ତାତ ! ହା ମାତଃ ! ହା ତାତ ଜନକ ! ହା ଦେବି ଅରୁନ୍ଧତି ! ହା କୁଳଗୁରୋ ବଶିଷ୍ଠ ! ହା ଭଗବାନ ବିଶ୍ୱାମିତ୍ର ! ହା ଦେବି ବସୁନ୍ଧରେ ! ହା ପରମୋପକାରୀ ବିଭୀଷଣ ! ହା ପ୍ରିୟ ବନ୍ଧୋ ସୁଗ୍ରୀବ ! ହା ବତ୍ସ ହନୁମାନ୍‌ ! ହା ସଖି ତ୍ରିଜଟେ ! ଆଜି ଦୁରାତ୍ମା ରାମ ତୁମ୍ଭମାନଙ୍କ ସର୍ବନାଶ କରିବାକୁ ଉଦ୍ୟତ ! ଅଥବା ମୁଁ ସେ ମହାତ୍ମାମାନଙ୍କ ନାମ ଗ୍ରହଣ କରିବାକୁ କିଏ ?

 

କୃତଘ୍ନ ଦୁରାତ୍ମା       ମୁଁ ଏ ପାପ-ତୁଣ୍ଡେ

ଘେନି ସେହି ପୁଣ୍ୟ ନାମ,

କରୁଅଛି ତାହା            କଳଙ୍କିତ ଆଜ

ଧିକ ଏ ପାପିଷ୍ଠ ପ୍ରାଣ !

ବିଶ୍ୱସ୍ତ ହୃଦୟେ       ମୋ ବକ୍ଷେ ନିଦ୍ରିତା

ମୋର ପ୍ରାଣ-ସହଚାରୀ,

ସ୍ୱପନ-ଆତଙ୍କେ            କଠୋରଗର୍ଭାର

ଗର୍ଭ ଯାଉଅଛି ଥରି ।

ସେ ଗୃହଲକ୍ଷ୍ମୀଙ୍କି            ସେ ହୃଦସଖୀଙ୍କି

କି ନିଷ୍ଠୁର ଏ ଦୁର୍ଜନ,

ରାକ୍ଷସ-ମୁଖରେ            ବଳି ଦେଉଅଛି

ଧିକ ଧିକ ମୋ ଜୀବନ ।

 

(ସୀତାଙ୍କ ପାଦ ମସ୍ତକରେ ଘେନି) ହା ଦେବି ! ହା ଦେବି ! ରାମର ମସ୍ତକରେ ତୁମ୍ଭ ପାଦପଦ୍ମର ଏହି ଶେଷ ସ୍ପର୍ଶ । (ଏହା କହି ରୋଦନ)

(ନେପଥ୍ୟେ ଶବ୍ଦ –

ବ୍ରାହ୍ମଣ ଅବଧ୍ୟ ! ବ୍ରାହ୍ମଣ ଅବଧ୍ୟ !)

 

ରାମ – କିଏ ଅଛ ? ଦେଖିବଟି, ଏ କଣ ?

(ପୁନର୍ବାର ନେପଥ୍ୟେ -)

ଯମୁନାପୁଳିନବାସୀ ମହାତାପ ତପସ୍ୱିନିକର

ଲବଣରାକ୍ଷସଭୟେ ମାଗୁଛନ୍ତି ଶରଣ ତୁମ୍ଭର ।

 

ରାମ –      ଆଃ ! କି ! ଅଦ୍ୟାପି ପୃଥିବୀରେ ରାକ୍ଷସ-ଭୟ ? ହଉ, ଦୁରାତ୍ମା ଲବଣର ବିନାଶ ନିମିତ୍ତ ଶତୟୁଘ୍ନକୁ ପଠାଉଅଛି । (କେତେକ ପହଣ୍ଡ ଯାଇ ପୁଣି      ଲେଉଟି ଆସି) ହା ଦେବି ! ଏବେ ତୁମ୍ଭର କି ଗତି ହେବ ! ଭଗବତି ବସୁନ୍ଧରେ ! ତୁମ୍ଭର ପୁଣ୍ୟମୟୀ କନ୍ୟାଙ୍କୁ ରକ୍ଷା କର !

 

ଜନକ – ରଘୁକୁଳ-ଲକ୍ଷ୍ମୀରୂପିଣୀ

ସୀତାଙ୍କୁ କର ରକ୍ଷା ଦେବି ମେଦିନି !

ପ୍ରସବିଥିଲି ତାଙ୍କୁ ଯଜ୍ଞକ୍ଷେତ୍ରରେ,

ରଖ ମା’ ଏବେ ତାଙ୍କୁ ସ୍ନେହ-ଆଦରେ ।

(ଏହା କହି ପ୍ରସ୍ଥାନ)

 

ସୀତା – ହା ସୌମ୍ୟ ! ହା ଆର୍ଯ୍ୟପୁତ୍ର ! କାହିଁ ଗଲ ? (ସହସା ଉଠି) ହା ଧିକ୍‌ ! ମୁଁ ଦୁଃସ୍ୱପ୍ନରେ ପ୍ରତାରିତ ହୋଇ ପ୍ରାଣନାଥଙ୍କୁ ଡାକୁଥିଲି ! ହାୟ ! ପ୍ରାଣନାଥ ମୋତେ ଏକୁଟିଆ ଛାଡ଼ିଦେଇ କୁଆଡ଼େ ଗଲେ ? ହଉ, ମୁଁ ତାଙ୍କ ଉପରେ କୋପ କରିବି, ଯେବେ ତାଙ୍କୁ ଦେଖିଲେ ମୋ ମନରେ ରୋଷ ରହିପାରିବ । କିଏ ଅଛ ?

 

ଦୁର୍ମୁଖ – ( ପ୍ରବେଶ କରି) କୁମାର ଲକ୍ଷ୍ମଣ ନିବେଦନ କରୁଛନ୍ତି, ରଥ ସଜ୍ଜିତ, ଆରୋହଣ କରିବାର ଆଜ୍ଞା ହେଉ।

 

ସୀତା – ହଉ ଯାଉଛି । (ଉଠି) ମୋ ଗର୍ଭଭାର ସ୍ଫୁରୁଛି ପରା, ଧୀରେ ଧୀରେ ଚାଲିବି ।

 

ଦୁର୍ମୁଖ – ମଣିମା, ଏଇ ବାଟେ ଚାଲନ୍ତୁ ।

 

ସୀତା- ତପୋଧନମାନଙ୍କୁ ନମସ୍କାର ! ରଘୁକୁଳ – ଦେବତାମାନଙ୍କୁ ନମସ୍କାର ! ଆର୍ଯ୍ୟପୁତ୍ରଙ୍କ ପାଦପଦ୍ମ ତଳେ ନମସ୍କାର ! ସମସ୍ତ ଗୁରୁଜନଙ୍କୁ ନମସ୍କାର !

 

ଦ୍ୱିତୀୟ ଅଙ୍କ

 

ନେପଥ୍ୟେ – ଆସନ୍ତୁ, ତପସ୍ୱିନି, ଆସନ୍ତୁ ! ପଥିକବେଶଧାରିଣୀ ତପସ୍ୱିନୀ – (ପ୍ରବେଶ କରି)

ଅହୋ ! ଏ ଯେ ବନଦେବତା ଫଳ-ପୁଷ୍ପ-ପଲ୍ଲବ ରୂପ ଅର୍ଘ୍ୟଦ୍ୱାରା ମୋତେ ଅଭ୍ୟର୍ଥନା କରିବାକୁ ଆସୁଅଛନ୍ତି ।

 

ବନଦେବତା – (ପ୍ରବେଶ କରି ଏବଂ ଅର୍ଘଦାନ କରି)

ଆଜି କି ସୁଦିନ ମୋର, ଆସ ଆସ ତପୋଧନେ

ଏ ବନ ତୁମ୍ଭର ଦେବି ! ବିହର ପ୍ରସନ୍ନ ମନେ ।।

କେତେ କେତେ ସୁକୃତରେ ସାଧୁସଙ୍ଗ ଜଗତରେ

ମିଳଇ ଜନର ଭାଗ୍ୟେ କି ଅମୃତ ଆକର୍ଷଣେ ।

ସେ ଭାଗ୍ୟ ଘଟିଛି ମୋର,

ଆସ ଦେବି, କୃପା କର,

ପାଦପ-ଛାୟାରେ ବସି

ବିତଶ୍ରାମ କର ଗୋ କ୍ଷଣେ ।

 

ମୁନି-ଜନ-ଭୋଜ୍ୟ ଯାହାଅଛି ଏ ବନରେ ତାହା, ଫଳ ମୂଳ ଜଳ ଆଦି ଭୁଞ୍ଜ ପ୍ରିୟ-ଦରଶନେ ।

 

ତାପସୀ – ମୁଁ କଣ କରିବି ?

 

ଆହା କି ଉଦାର            ଅଟେ ବ୍ୟବହାର

ବିନୟ ମଧୂର ବାଣୀ,

ମିଷ୍ଟ ସମ୍ଭାଷଣ            କରେ ଆକର୍ଷଣ

ମତି ଅଟଇ କଲ୍ୟାଣୀ ।

ସାଧୁଜନଙ୍କର            ଚରିତ୍ର-ମହିମା

ଅଟେ ଆହା କି ସୁନ୍ଦର,

ନିର୍ମଳ, ସରଳ,            ସର୍ବଦା ସରସ

ତେଣୁ ଜନମନୋହର ।

 

ବନ- ଆପଣଙ୍କର ପରିଚୟ ପ୍ରାର୍ଥନା କରୁଅଛି ।

 

ତାପସୀ – ମୋର ନାମ ଆତ୍ରେୟୀ ।

 

ବନ – କେଉଁଠାରୁ ଆପଣ ଆସିଲେ ? ଏ ଦଣ୍ଡକାରଣ୍ୟକୁ ଆସିବାର ହେତୁ କଣ ?

 

ଅତ୍ରେୟୀ –ବ୍ରହ୍ମବାଦୀ ଅଗସ୍ତାଦି ମହାତପୋଧନେ,

ନିବାସ କରନ୍ତି ଏହି ଦଣ୍ଡକ କାନନେ ।

ତାଙ୍କଠାରୁ ଲଭିବାକୁ ବେଦ-ବିଦ୍ୟାଧନ,

ବାଲ୍ମୀକି ଆଶ୍ରମୁଁ ମୁହିଁ ଆସିଛି ଏ ବନ ।

 

ବନ –      ଯେଉଁ ପୁରାତନ ବ୍ରହ୍ମବାଦୀ ମହର୍ଷି ବାଲ୍ମୀକିଙ୍କ ନିକଟକୁ ଅନେକ ମୁନିମାନେ ସମଗ୍ର ବେଦାଧ୍ୟୟନ କରିବାପାଇଁ ଯାଉଅଛନ୍ତି, ତାଙ୍କ ନିକଟରେ ବେଦଶିକ୍ଷା ନ କରି ଆପଣଙ୍କର ଏ ଦୀର୍ଘ ପ୍ରବାସଶ୍ରମ କାହିଁକି ?

 

ଆତ୍ରେୟୀ – ସେଠାରେ ଅଧ୍ୟୟନର ବିଘ୍ନ ଘଟିବାରୁ ଏପରି ଦୀର୍ଘପ୍ରବାସ କରିବାକୁ ପଡ଼ିଲା ।

 

ବନ – କିପରି ବିଘ୍ନ ?

 

ଆତ୍ରେୟୀ –ସେହି ଦେବତା ସର୍ବପ୍ରକାରେ ଅଦ୍ଭୁତ, ପୁଣି ସଦ୍ୟ ସ୍ତନ୍ୟ-ତ୍ୟାଗୀ ଦୁଇଟି ବାଳକଙ୍କୁ ଆଣି ମହର୍ଷିଙ୍କ ନିକଟରେ ଅର୍ପଣ କରିଛନ୍ତି । ସେମାନେ କେବଳ ଋଷିମାନଙ୍କର ନୁହେଁ, ସମସ୍ତ ଜନଙ୍କର ଅନ୍ତଃକରଣରେ ସ୍ନେହ ଉତ୍ପନ୍ନ କରୁଅଛନ୍ତି ।

 

ବନ – ସେମାନଙ୍କର ନାମ ଆପଣଙ୍କୁ ଜଣାଅଛି କି ?

 

ଆତ୍ରେୟୀ –ସେହି ଦେବତା ସେମାନଙ୍କର କୁଶ ଓ ଲବ ଏହି ନାମ ଓ ସେମାନଙ୍କର ଅଦ୍ଭୁତ ପ୍ରଭାବ କହି ଯାଇଅଛନ୍ତି ।

 

ବନ –କିପରି ପ୍ରଭାବ ?

 

ଆତ୍ରେୟୀ –ଜନ୍ମକାଳରୁ ସରହସ୍ୟ ଜୃମ୍ଭକାସ୍ତ୍ରମାନ ସେମାନଙ୍କର ସିଦ୍ଧ ।

 

ବନ – ଅହୋ, ଏ ତ ବଡ଼ ଆଶ୍ଚର୍ଯ୍ୟ କଥା !

 

ଆତ୍ରେୟୀ – ଭଗବାନ୍‌ ବାଲ୍ମୀକି ସେମାନଙ୍କର ଧାତ୍ରୀକର୍ମ, ଲାଳନ ପାଳନପ୍ରଭୃତି କାର୍ଯ୍ୟ ନିଜେ କରି ଏବଂ ଚୂଡ଼ାକରଣ-ବିଧାନ ସାରି ସେମାନଙ୍କୁ ବେଦତ୍ରୟ ଛଡ଼ା ଅନ୍ୟ ସବୁବିଦ୍ୟା ଶିଖାଇଲେ । ତଦନ୍ତର ଗର୍ଭବାସ କାଳରୁ ଏକାଦଶ ବର୍ଷ ବୟସରେ କ୍ଷତ୍ରିୟ ବିଧି ପ୍ରମାଣେ ସେମାନଙ୍କର ଉପନୟନ କରାଇ ସେମାନଙ୍କୁ ବେଦତ୍ରୟ ପଢାଇଅଛନ୍ତି । ସେମାନଙ୍କର ଯେପରି ଅସାଧାରଣ ବୁଦ୍ଧି, ସେଥିରେ ସେମାନଙ୍କ ସଙ୍ଗରେ ଆମ୍ଭମାନଙ୍କର ଅଧ୍ୟୟନ ଯୋଗ ଘଟିବା ଅସମ୍ଭବ ।

 

ପ୍ରାଜ୍ଞ ଶିଷ୍ୟେ ଯଥା       ମୁଢ ଶିଷ୍ୟେ ତଥା

ଗୁରୁ ବିତରନ୍ତି ଜ୍ଞାନ,

ଧୀଶକ୍ତି ବିହିବା            କି ଅବା ହରିବା

ନୁହେ ତାଙ୍କର ଭିଆଣ ।

ତଥାପି ଫଳରେ            ପ୍ରଭେଦ ବହୁତ

ଦିଶେ ଦୁହିଁଙ୍କ ମଧ୍ୟରେ,

ସ୍ୱଚ୍ଛ ମଣି ସିନା            ଧରେ ପ୍ରତିବିମ୍ୱ

ମୃତ୍‌ପିଣ୍ଡ କି ତାହା ଧରେ ?

 

ବନ – ଏଇ କଣ ଅଧ୍ୟୟନର ବିଘ୍ନ ?

 

ଆତ୍ରେୟୀ – ଆହୁରି ଅଛି ।

 

ବନ –କଣ ?

 

ଆତ୍ରେୟୀ –ଦିନେ ସେହି ମହର୍ଷି ମଧ୍ୟାହ୍ନକାଳରେ ତମସା ନଦୀ ତୀରରେ ଉପସ୍ଥିତ ହୋଇ ଦେଖିଲେ ଯେ, ଗୋଟିଏ ବ୍ୟାଧ ଏକତ୍ର ବିହାର କରୁଥିବା କ୍ରୌଞ୍ଚପକ୍ଷିଯୁଗଳ ମଧ୍ୟରୁ ଗୋଟିଏ ପକ୍ଷୀକି ଶରଦ୍ୱାରା ବିଦ୍ଧ କରିଅଛି । ଦେଖିଲାକ୍ଷଣି ଋଷିଙ୍କ ମୁଖରୁ ଅକସ୍ମାତ୍‌ ଅନୁଷ୍ଟୁପ୍‌ଛନ୍ଦୋବଦ୍ଧ ଏହି ବାଣୀ ନିର୍ଗତ ହେଲା ।

 

ନପାଇବୁ ପ୍ରତିଷ୍ଠା ତୁ ରେ ବ୍ୟାଧ କାଳ ଶାଶ୍ୱତ ।

ବଧିଲୁ କ୍ରୌଞ୍ଚଯୁଗ୍ମୁଁ ହା ! ଗୋଟିଏ କାମମୋହିତ।

 

ବନ – କି ଚମତ୍କାର ! ବୈଦିକ ଛନ୍ଦରୁ ଭିନ୍ନ ଏ ଯେ ଗୋଟିଏ ନୂତନ ଉନ୍ଦର ଆବିର୍ଭାବ !

 

ଆତ୍ରେୟୀ – ସେହି ସମୟରେ ଭଗବାନ୍‌ ଭୂତଭାବନ ବ୍ରହ୍ମା ବାଲ୍ମୀକି ମୁନିଙ୍କ ମୁଖରୁ ଶବ୍ଦବ୍ରହ୍ମର ନବ-ଆବିର୍ଭାବ ଦେଖି ତାଙ୍କ ନିକଟରେ ଆତ୍ମ-ପ୍ରକାଶ କରି କହିଲେ, ‘‘ହେ ଋଷିବର ! ଶବ୍ଦ-ବ୍ରହ୍ମ ବିଷୟରେ ତୁମ୍ଭର ଜ୍ଞାନ ଜାଗ୍ରତ ହୋଇଅଛି । ଅତଏବ ରାମଚରିତ ବର୍ଣ୍ଣନା କର । ତୁମର ଦିବ୍ୟ ଚକ୍ଷୁ ଅବ୍ୟାହତ ଜ୍ୟୋତିରେ ପରିପୂର୍ଣ୍ଣ ହେଉ । ତୁମ୍ଭେ ଆଦ୍ୟକବି ହେଲ । ଏହା କହି ସେ ଅନ୍ତର୍ହିତ ହେଲେ । ଅନନ୍ତର ଭଗବାନ୍‌ ବାଲ୍ମୀକି ମନୁଷ୍ୟଲୋକରେ ପ୍ରଥମେ ଶବ୍ଦବ୍ରହ୍ମର ପରିଣାମକୁ ରାମାୟଣରୂପରେ ପ୍ରକାଶ କରୁ ଅଛନ୍ତି ।

 

ବନ – ଆହା, ଧନ୍ୟ ଧନ୍ୟ ! ତାହାହେଲେ ତ ସମସ୍ତେ ସଂସାରରେ ଜ୍ଞାନ ଲଭିପାରିବେ ।

 

ଆତ୍ରେୟୀ – ମହର୍ଷି ରାମାୟଣ ପ୍ରଣୟନ କରୁଅଛନ୍ତି । ସେଥିପାଇଁ ମୁଁ କହୁଥିଲି ଯେ ଅଧ୍ୟୟନର ବଡ଼ ବିଘ୍ନ ଉପସ୍ଥିତ ?

 

ବନ – ହଁ, ଠିକ୍‌ କଥା ।

 

ଆତ୍ରେୟୀ –ମୁଁ ଏଠାରେ ବିଶ୍ରାମ କରି ସୁସ୍ଥ ହେଲିଣି । ଭଦ୍ରେ! ଏବେ ଅଗସ୍ତ୍ୟ ଋଷିଙ୍କ ଆଶ୍ରମକୁ ଯିବାର ବାଟ କହିଦିଅ ।

 

ବନ – ଏଠାରୁ ପଞ୍ଚବଟୀ ବନକୁ ଯାଇ ଏଇ ଗୋଦାବରୀର କୂଳେ କୂଳେ ଯିବାକୁ ହେବ ।

 

ଆତ୍ରେୟୀ –(ସାଶ୍ରୁନୟନରେ) ଏଇ ସେହି ତପୋବନ ? ଏହି ସେହି ପଞ୍ଚବଟୀ ? ଏହି ସେହି ଗୋଦାବରୀ ? ଏଇ ସେହି ପ୍ରସ୍ରବଣ ଗିରି ? ଆଉ ଆପଣ ସେହି ଜନସ୍ଥାନବାସିନୀ ବନଦେବୀ ବାସନ୍ତୀ ?

 

ବାସନ୍ତୀ – ହଁ, ଏସବୁ ସେହିପରି ଅଛି ।

 

ଆତ୍ରେୟୀ –ହା ବତ୍ସେ ଜାନକି !

ଦେଖି ଯାଙ୍କୁ ତୁମ୍ଭ କଥା ପଡୁଅଛି ମନେ,

ତୁମ୍ଭର ମୂରତି ଆହା ନାଚୁଛି ନୟନେ ।

ଏହି ବନ୍ଧୁବର୍ଗ ତବ ଅଛନ୍ତି ଏଠାରେ,

କାହିଁ ଗଲ, ନାମମାତ୍ର ରଖି ଏ ସଂସାରେ ?

 

ବାସନ୍ତୀ –(ସଭୟେ) ଆର୍ଯ୍ୟେ ! ‘‘ନାମମାତ୍ର ରଖି କାହିଁ ଗଲ ’’ – ଏପରି କାହିଁକି କହିଲ ? ସୀତା ଦେବୀଙ୍କର କିଛି ଅଶୁଭ ଘଟିଅଛି ?

 

ଆତ୍ରେୟୀ –କେବଳ ଅଶୁଭ ନୁହେ, ଅପବାଦ ମଧ୍ୟ ହୋଇଅଛି ।

 

ବାସନ୍ତୀ- ହାୟ ହାୟ ! କି ଦାରୁଣ ଦୈବ-ନିର୍ଘାତ !

(ମୂର୍ଚ୍ଛା)

 

ଆତ୍ରେୟୀ –ଭଦ୍ରେ ! ଆଶ୍ୱସ୍ତ ହୁଅ, ଆଶ୍ୱସ୍ତ ହୁଅ ।

 

ବାସନ୍ତୀ – ହା ପ୍ରିୟସଖି ! ହା ମହାଭାଗେ ! ତୁମ ଭାଗ୍ୟରେ ଏଇ ଥିଲା । ରାମଭଦ୍ର ! ରାମଭଦ୍ର ! ତୁମକୁ ବା କ’ଣ କହିବି । ଆର୍ଯ୍ୟେ ଆତ୍ରେୟି ! ଲକ୍ଷ୍ମଣ ସୀତାଙ୍କୁ ଅରଣ୍ୟରେ ଛାଡ଼ି ଲେଉଟି ଯିବା ଉତ୍ତାରୁ ସୀତାଙ୍କର କି ଦଶା ଘଟିଲା, ସେ ବିଷୟରେ କିଛି ସମ୍ୱାଦ ଜଣାଅଛି କି ?

 

ଆତ୍ରେୟୀ – ନା, ନା ।

 

ବାସନ୍ତୀ – ହାୟ ହାୟ, କି କଷ୍ଟର କଥା ! କୁଳଗୁରୁ ମହର୍ଷି ବଶିଷ୍ଠ, ଦେବୀ ଅରୁନ୍ଧତୀ, ବୃଦ୍ଧା ରାଜ୍ଞୀମାନେ ଥାଉଁ ଥାଉଁ କିପରି ଏହା ଘଟିଲା ?

 

ଆତ୍ରେୟୀ –ସେତେବେଳେ ଗୁରୁଜନମାନେ ଋଷ୍ୟଶୃଙ୍ଗଙ୍କ ଆଶ୍ରମରେ ଥିଲେ । ବର୍ତ୍ତମାନ ଦ୍ୱାଦଶବାର୍ଷିକ ଯଜ୍ଞ ସମାପ୍ତ ହୋଇଅଛି; ଋଷ୍ୟଶୃଙ୍ଗ ସମୁଚିତ ପୂଜାସତ୍କାରପୂର୍ବକ ସେମାନଙ୍କୁ ବିଦାୟ ଦେଇଅଛନ୍ତି । ତଦନନ୍ତର ଅରୁନ୍ଧତୀ କହିଲେ, ‘‘ସୀତାଶୂନ୍ୟ ଅଯୋଧ୍ୟାକୁ ମୁଁ ଆଉ ଯିବି ନାହିଁ ।’’ ରାମଚନ୍ଦ୍ରଙ୍କର ମାତାମାନେ ମଧ୍ୟ ସେହି କଥା ନିଶ୍ଚୟ କଲେ । ସେହି ସମୟରେ ଭଗବାନ୍‌ ବଶିଷ୍ଠ କହିଲେ, ‘‘ତେବେ ଚାଲ, ବାଲ୍ମୀକିଙ୍କ ତପୋବନକୁ ଯାଇ କିଛିକାଳ ରହିବା ।’’

 

ବାସନ୍ତୀ – ରାଜା ରାମଚନ୍ଦ୍ର ଏବେ କଣ କରୁଅଛନ୍ତି ?

 

ଆତ୍ରେୟୀ –ସେ ଅଶ୍ୱମେଧ ଯଜ୍ଞ ଆରମ୍ଭ କରିଅଛନ୍ତି ।

 

ବାସନ୍ତୀ – ଉଃ ! ସେ ପୁଣି ବିବାହିତ ହେଲେଣି ?

 

ଆତ୍ରେୟୀ –ନା, ନା, ସେ ଅନିଷ୍ଟ ଘଟିନାହିଁ ।

 

ବାସନ୍ତୀ –ତେବେ ଯଜ୍ଞରେ ସହଧର୍ମୀ କିଏ ହେଲେ ?

 

ଆତ୍ରେୟୀ –ସୀତାଙ୍କ ସୁବର୍ଣ୍ଣପ୍ରତିମା ।

 

ବାସନ୍ତୀ – କଳିଶୁଁ କଠୋର ପୁଣି ପୁଷ୍ପୁଁ ସୁକୁମାର ମହାତ୍ମାଙ୍କ ମନ, ମର୍ମ କେ ବୁଝିବ ତାର ।

 

ଆତ୍ରେୟୀ –ଏବେ ବାମଦେବ ଋଷିଙ୍କ ମନ୍ତ୍ରଦ୍ୱାରା ସଂସ୍କୃତ ସେହି ଯଜ୍ଞର ଅଶ୍ୱକୁ ଛାଡ଼ି ଦିଆଯାଇଅଛି । ଶାସ୍ତ୍ରବିଧି ଅନୁସାରେ ସେ ଅଶ୍ୱର ରକ୍ଷକବର୍ଗ ନିଯୁକ୍ତ ହୋଇଅଛନ୍ତି । ଆଉ ଦିବ୍ୟାସ୍ତ୍ର ବିଦ୍ୟା ଜାଣିଥିବାରୁ ସେମାନଙ୍କ ଉପରେ ଅଧ୍ୟକ୍ଷରୂପେ ଲକ୍ଷ୍ମଣଙ୍କ ପୁତ୍ର ଚନ୍ଦ୍ରକେତୁ ଚତୁରଙ୍ଗ ସେନାସହ ପ୍ରେରିତ ହୋଇଅଛନ୍ତି ।

 

ବାସନ୍ତୀ –(ସାଶ୍ରୁନେତ୍ରେ ସ୍ନେହ ଓ କୌତୁକରେ) କୁମାର ଲକ୍ଷ୍ମଣଙ୍କର ବି ପୁତ୍ର ! ମା’ ଗୋ, ମୁଁ ଆଜିଯାଏ ବଞ୍ଚିଚି !

 

ଆତ୍ରେୟୀ –ଏଥି ମଧ୍ୟରେ ଜଣେ ବ୍ରାହ୍ମଣ ନିଜର ମୃତପୁତ୍ରକୁ ରାଜଦ୍ୱାରରେ ରଖି କରାଘାତପୂର୍ବକ ‘ଘୋର ଅନ୍ୟାୟ ହେଲା’ ବୋଲି ଡାକ ଛାଡ଼ିଲା। ମହାରାଜା ରାମଚନ୍ଦ୍ର ରାଜାପରାଧ ବିନା ପ୍ରଜାର ଏପରି ଅକାଳ ମୃତ୍ୟୁ ହୁଏ ନାହିଁ ବୋଲି ବିଚାର

କରିବା ସମୟରେ ଆକସ୍ମାତ୍‌ ଏହି ଦୈବବାଣୀ ହେଲା –

ଶମ୍ୱୂକ ନାମରେ ଶୂଦ୍ର ପୃଥ୍ୱୀରେ ତପ ଆଚରେ,

ଛେଦି ତା ଶିର ହେ ରାମ, ବଞ୍ଚାଅ ବିପ୍ରବାଳକେ।

 

ସେହି ଦୈବବାଣୀ ଶୁଣି ମହାରାଜା ରାମଚନ୍ଦ୍ର ହସ୍ତରେ ଖଡ଼୍‌ଗ ଧାରଣ ପରି ପୁଷ୍ପକ ବିମାନରେ ବସି ସେହି ଶୂଦ୍ର ତପସ୍ୱୀର ଅନ୍ୱେଷଣରେ ଦିଗ୍‌ବିଦିଗ ବୁଲୁଅଛନ୍ତି ।

 

ବାସନ୍ତୀ –ଶମ୍ୱୁଜ ନାମରେ ଜଣେ ଧୂମପାୟୀ ଶୂଦ୍ର ଏଇ ଜନସ୍ଥାନରେ ତପସ୍ୟା କରୁଅଛି । ତାହାରି ପାଇଁ ବୋଧହୁଏ ରାମଭଦ୍ର ପୁଣି ଏହି ବନକୁ ବିଜେ କରିବେ ।

 

ଆତ୍ରେୟୀ –ଭଦ୍ରେ, ମୁଁ ଏବେ ବିଦାୟ ହୁଏଁ ।

 

ବାସନ୍ତୀ – ହଉ, ଦିନ ମୁଣ୍ଡ ଉପରକୁ ଆସିଲାଣି । ବଡ଼ ଖରା । ଏଇ ଦେଖନ୍ତୁ –

 

କପୋତ କୁକ୍‌କୁଟକୁଳ ରୌଦ୍ରକ୍ଳାନ୍ତ ଅତି,

ରାବି ରାବି ଆଶ୍ରିଲେଣି ତଟ-ବନସ୍ପତି ।

କଣ୍ଡୁ ନିବାରିବାପାଇଁ ପ୍ରମତ୍ତ ବାରଣେ

ଘଷିବାରୁ ପିଣ୍ଡ-ଗଣ୍ଡ ସେହି ବୃକ୍ଷଗଣେ

ରବି-ତାପେ ଶିଥିଳିତ ବୃନ୍ତୁ ପୁଷ୍ପରାଶି

ଗୋଦାବରୀ ନୀରେ ଝଡ଼ିଯାଉଅଛି ଭାସି ।

ପାଦପଛାୟାରେ ବସି ହର୍ଷେ ପକ୍ଷିଗଣ

ଛାଲରୁ କାଢିଣ କୀଟ କରନ୍ତି ଭକ୍ଷଣ ।

 

(ହସ୍ତରେ ଖଡ଼୍‌ଗଧରି କରୁଣାମୟ ରାମଚନ୍ଦ୍ରଙ୍କ ପ୍ରବେଶ)

 

ରାମ –ରେ ଦକ୍ଷିଣ ହସ୍ତ, ତୁହି ନିର୍ଦ୍ଦୟ ରାମର

ବଞ୍ଚାଇବାପାଇଁ ମୃତଶିଶୁ ବ୍ରାହ୍ମଣର

ଖଡ଼୍‌ଗ ପ୍ରହାର କର ଶୂଦ୍ରମୁନି ଶିରେ,

ଦୟା ମାୟା କାହିଁ ତୋର ଏହି ଜଗତରେ ?

ତୁହି ତ ରେ ଅନାୟାସେ ପେଷିଲୁ କାନନେ

ପୂର୍ଣ୍ଣଗର୍ଭା ବୈଦେହୀଙ୍କୁ ନିର୍ବିଚାର ମନେ ।

 

(ଅତି କଷ୍ଟରେ ପ୍ରହାର କରି) ନିଷ୍ଠୁର ରାମର ଯୋଗ୍ୟ ଯାହା, ତାହା ତ କଲି । ଏବେ ସେ ବ୍ରାହ୍ମଣଶିଶୁ ବଞ୍ଚିବ ତ?

 

ଶମ୍ୱୁକ –(ଦିବ୍ୟଦେହ ଧାରଣପୂର୍ବକ ପ୍ରବେଶକରି)

ଦେବଙ୍କର ଜୟ ହଉ !

ଦଣ୍ଡି ମତେ ଖଣ୍ଡିଲ ହେ ଯମରାଜଭୟ,

ବଞ୍ଚାଇଲ ଏବେ ଏହି ବ୍ରାହ୍ମଣତନୟ ।

ତୁମ୍ଭରି କୃପାରେ ମୁହିଁ ଲଭିଣ ସଦ୍‌ଗତି

ଭୋ ଦେବ, ଶ୍ରୀପାଦପଦ୍ମେ କରୁଛି ପ୍ରଣତି ।

ଧନ୍ୟ ଧନ୍ୟ ସତ୍‌ସଙ୍ଗର ମହିମା ଅପାର,

ସାଧୁହସ୍ତେ ମଲେ ସୁଦ୍ଧା ଜୀବର ନିସ୍ତାର ।

 

ରାମ –ଏବେ ତୁମ୍ଭର ତପସ୍ୟାର ଫଳ ଭୋଗ କର ।

ଦିବ୍ୟାନନ୍ଦ ଯହିଁ ଯହିଁ ପୂଣ୍ୟର ବିଳାସ,

ସେ ବୈରାଜ ଧାମେ ତବ ନିତ୍ୟ ହେଉ ବାସ ।

 

ଶମ୍ୱୁକ –      ଆପଣଙ୍କ ପାଦପଦ୍ମର ଅନୁଗ୍ରହରୁ ମୋର ଏହି ସୌଭାଗ୍ୟ । ଏଥିରେ ତପସ୍ୟାର ଗୌରବ କାହିଁ ? ଅଥବା ତପସ୍ୟା ଦ୍ୱାରା ମଧ୍ୟ କିଛି ଉପକାର ହୋଇଅଛି ।

ତୁମ୍ଭେ ଲୋକନାଥ ନିଖିଳ-ଶରଣ୍ୟ

ତବ ଅନ୍ୱେଷଣେ ତ୍ରିଭୁବନ ଧନ୍ୟ ।

ତୁମ୍ଭେ ପୁଣି ଲଙ୍ଘି ଶତେକ ଯୋଜନେ

ଏ ଅଧମେ ଖୋଜି ଆସିଛ ଏ ବନେ ।

ତପସ୍ୟାର ଫଳ ନୋହିଲେ କେସନେ

ଭେଟିଲି ତୁମ୍ଭଙ୍କୁ ଏ ଦଣ୍ଡକ ବନେ ?

 

ରାମ –ଏ କି ଦଣ୍ଡକାରଣ୍ୟ ? (ଚାରିଆଡ଼ୁକୁ ଅନାଇ ) ହଁ !

କାହିଁ ସ୍ନିଗ୍‌ଧ ଶ୍ୟାମ, କାହିଁ ବିଶାଳ, ଭୀଷଣ,

ନିର୍ଝର-ଝଙ୍କାରେ କାହିଁ ପୂର୍ଣ୍ଣ ଦିଗଗଣ ।

ଚିରପରିଚିତ ମୋର କେତେ ତୀର୍ଥାଶ୍ରମ,

କେତେ ଗିରି, କେତେ ନଦୀ, କାନ୍ତାର ଦୁର୍ଗମ ।

ଆଜି ପୁଣି ବିରାଜିତ ମୋ ନେତ୍ର ଅଗ୍ରତେ,

ସେ ପୂର୍ବ ଦଣ୍ଡକାରଣ୍ୟ ଦେଖୁଛି ମୁଁ ସତେ !

 

ଶମ୍ୱୁକ – ମହାପ୍ରଭୋ ! ଏଇ ସେହି ଦଣ୍ଡକ କାନନେ

ବଧିଲ ଭୋ ଦେବ ମହାଭୟଙ୍କର ରଣେ ।

ଚଉଦ ସହସ୍ର କ୍ରୂରକର୍ମା ରକ୍ଷୋଗଣେ

ପୁଣି ରକ୍ଷଃପତି ଖର ତ୍ରିଶିରା ଦୂଷଣେ ।

 

ତେଣୁ ଆମ୍ଭମାନଙ୍କ ପରି ଭୀରୁ ଲୋକେ ସୁଦ୍ଧା ଏବେ ଜନସ୍ଥାନରେ ନିଭୟରେ ବିଚରଣ କରୁଅଛନ୍ତି ।

 

ରାମ – ତେବେ ତ ଏ କେବଳ ଦଣ୍ଡକାରଣ୍ୟ ନୁହେଁ; ଜନସ୍ଥାନ ମଧ୍ୟ ଏହିଠାରେ ?

 

ଶମ୍ୱୁଜ –      ଆଜ୍ଞା ହଁ, ପ୍ରାଣୀମାନଙ୍କର ଲୋମହର୍ଷଣ ଉନ୍ମତ୍ତ ଭୟଙ୍କର ଶ୍ୱାପଦକୁଳସଂକୁଳ; ଗିରି-ଗହ୍ୱରଯୁକ୍ତ ଏଇ ଯେ ଅରଣ୍ୟାନୀ ଦକ୍ଷିଣ ଦିଗକୁ ବିସ୍ତୃତ ହୋଇ ଯାଇଅଛି, ଜନସ୍ଥାନ ତାହାର ପ୍ରାନ୍ତ ସୀମା । ଦେଖନ୍ତୁ,

 

ନିଃଶବ୍ଦ ଗମ୍ଭୀର       ଭାବ କେଉଁଠାରେ

କାହିଁ ଶ୍ୱାପଦ-ଗର୍ଜନ,

ସୁପ୍ତ ଭୁଜଗର            ଶ୍ୱାସାନଳେ କାହିଁ

ଜଳିଉଠେ ହୁତାଶନେ ।

କାହିଁ ବା ଦିଶୁଛି            ସ୍ୱଳ୍ପଜଳ ଦରୀ

ଜନସ୍ଥାନ ସୀମା-ସ୍ଥଳେ,

କାହିଁ ବା ଏଣ୍ଡୁଅ            କରୁଅଛି ପାନ

ଅଜଗର ଘର୍ମଜଳେ ।

 

ରାମ – ଖର ରାକ୍ଷସର ଆଳୟ ଏଠାରେ

ଏହି ତ ସେ ଜନସ୍ଥାନ,

ପ୍ରତ୍ୟକ୍ଷ ପରାଏ ଦେଖୁଛ ଯେହ୍ନେ ମୁଁ

ପୂରୁବ ବୃତ୍ତାନ୍ତମାନ ।

 

(ଚାରିଆଡ଼ୁ ଅନାଇ) ଏଇ ତ ସେହି ଅରଣ୍ୟ ସବୁ, ଯାହା ସୀତାଙ୍କର ଏଡ଼େ ପ୍ରିୟ ଥିଲା । ଓଃ ! ଏଥୁ ବଳି ମୋର ଆଉ କି ଦୁଃଖ ଅଛି !

 

 

‘‘ତୁମ୍ଭ ସଙ୍ଗେ ନାଥ,            ରହିବି ସର୍ବଦା

କୁସୁମ ସୁରଭି ବନେ ।’’

କହୁଥିଲେ ସୀତା,            ଆହା, ତାହାଙ୍କର

କି ସ୍ନେହ ଥିଲା ଏ ବନେ !

କିଛି ନ କଲେହେଁ            ହରେ ସର୍ବ ଦୁଃଖ

ଯାର ମୁଖ-ଦରଶନ,

ବଚନ ଅତୀତ            ସେ କି ଧନ ତାର

ଯେ ଯାହାର ପ୍ରିୟଜନ ।

 

ଶମ୍ୱୁକ –      ପ୍ରଶାନ୍ତ ଗମ୍ଭୀର ମତ୍ତ ମୟୂରକଣ୍ଠ ସଦୃଶ ସୁନୀଳକାନ୍ତି ଶ୍ୟାମ-ଛାୟା ତରୁଣତରୁ-ମଣ୍ଡିତ ନିର୍ଭୟ-ମୃଗଯୂଥାଧ୍ୟୁସିତ ଏହି ମଧ୍ୟମାରଣ୍ୟ ଦେଖନ୍ତୁ,

 

ତଟେ ବେତଗଛ ବିହଙ୍ଗେ ବସିବାରୁ ସଦଳେ,

ଖସି ପଡ଼ୁଅଛି ସୁରଭି ପୁଷ୍ପ ଶୀତଳ ଜଳେ ।

ପକ୍ୱ ଫଳ-ଭରେ ଶ୍ୟାମଳ ଜମ୍ୱୁ କୁଞ୍ଜ-କାନନେ,

ବହିଯାଏ ଖର ବେଗରେ ନଦୀ ଗଦ୍‌ଗଦ ସ୍ୱନେ।

ପର୍ବତଗୁହାରେ ଭଲ୍ଲୁକେ କରୁଛନ୍ତି ଗର୍ଜନ,

ପ୍ରତିଧ୍ୱନି ଯାର ଯାଉଛି ବ୍ୟାପି ସମସ୍ତ ବନେ,

ଚହଟଇ ତାର କଷାୟ କ୍ଷୀର-ଗନ୍ଧ ପବନେ ।

 

ରାମ – (ବାଷ୍ପଗଦ୍‌ଗଦ ସ୍ୱରରେ) ତୁମ୍ଭର ମାର୍ଗ କଲ୍ୟାଣପ୍ରଦ ହେଉ ! ଏବେ ବିମାନରେ ବସି ପୁଣ୍ୟଲୋକକୁ ଯାଅ ।

 

ଶମ୍ୱୁଜ – ମୁଁ ଏବେ ପୁରାଣ-ବ୍ରହ୍ମବାଦୀ ମହର୍ଷି ଅଗସ୍ତ୍ୟଙ୍କୁ ପ୍ରଣାମ କରି ସ୍ୱର୍ଗଲୋକକୁ ଯିବି ।

(ଶମ୍ୱୁକର ପ୍ରସ୍ଥାନ)

 

ରାମ –ଆଜି ପୁଣି ବିଲୋକଇଁ ଏହି ସେହି ବନ,

ଦୁହେଁ ଯହିଁ କଲୁଁ ବହୁ ଦିବସ ଯାପନ ।

ବନବାସୀ ଗୃହୀ ପୁଣି ସ୍ୱଧର୍ମ-ନିରତ,

ଭୁଲୁଥିଲୁଁ ସଂସାରର ଆନନ୍ଦ ସନ୍ତତ ।

ଏହି ସେହି ଗିରିବୃନ୍ଦ କେକୀ-କେକାକୁଳ

ଏହି ସହି ନଦୀତଟ ମଞ୍ଜୁଳ ବଞ୍ଜୁଳ ।

ମତ୍ତ ମୃଗଯୂଥପୂର୍ଣ୍ଣସେହି ଜନସ୍ଥଳ,

ନଦୀକୂଳେ ପୁଞ୍ଜିଭୂତ ସେ ନୀଳ ହିଞ୍ଜଳ ।

ଅଦୂରେ ଦିଶଇ ଯାହାମେଘମାଳା ସରି,

ପ୍ରସ୍ରବଣ ଗିରି ସେହି ଯହିଁ ଗୋଦାବରୀ ।

ଜଟାୟୁଙ୍କ ବାସ ଥିଲା ଏହି ଗିରି ଶିରେ,

ତଳେ ତାର ଥିଲୁଁ ଆମ୍ଭେ ପର୍ଣ୍ଣର କୁଟୀରେ ।

ଗୋଦାବରୀ ସ୍ୱଚ୍ଛ ଜଳେ ବିମ୍ୱିତ ଯାହାର

ଶ୍ୟାମ ତରୁ-କୁଞ୍ଜ, ଏଇ ସେ ବନ ଉଦାର ।

ଯହିଁ ନାନାଜାତି ପକ୍ଷୀ ମଧୁର କୂଜନେ

କରୁଛନ୍ତି ନିନାଦିତ ବିଶାଳ ଗହନେ ।

 

ଏହିଠାରେ ସେହି ପଞ୍ଚବଟୀ, ଦୀର୍ଘକାଳ ବାସ ଯୋଗୁଁ ଏହି ଚିରପରିଚିତ ପ୍ରଦେଶ ଆମ୍ଭମାନଙ୍କର କେତେ ସୁଖାଳାପ-ବିହାରାଦିର ସାକ୍ଷୀ-ସ୍ୱରୂପ ହୋଇ ରହିଅଛି; ପୁଣି ପ୍ରିୟାଙ୍କର ପ୍ରିୟସଖୀ ବନଦେବତା ବାସନ୍ତୀ ଏହିଠାରେ ଅଛନ୍ତି । କିନ୍ତୁ ହାୟ! ରାମର ଆଜି କି ଦୁର୍ଦ୍ଦଶା !

 

ଚିର ସନ୍ତାପଜ            ତୀବ୍ର ବିଷରସ

ଅଙ୍ଗେ ଅଙ୍ଗେ ପ୍ରସରଇ,

ତୀକ୍ଷ୍ଣ ଶଲ୍ୟ ଖଣ୍ଡ ଖରବେଗେ ଯେହ୍ନେ

ହୃଦୟ ବିଦ୍ଧ କରଇ ।

ହୃଦୟର ମର୍ମେ            ଗଣ୍ଠି ବାନ୍ଧି ପୁଣି

ଫୁଟି ବାହାରିଛି ବ୍ରଣ,

ଘନୀଭୂତ ଶୋକ            କରଇ ବିକଳ

ହରଇ ମୋର ଚେତନ ।

 

ଯାହାହେଉ, ସେହି ପୂର୍ବ-ପରିଚିତ ସ୍ଥାନଗୁଡ଼ିକ ଥରେ ଦେଖିନିଏଁ । (ନୀରକ୍ଷଣ କରି) ଆହା, କି ଅଦ୍ଭୁତ ପରିବର୍ତ୍ତନ !

 

ପୁର୍ବେ ଯହିଁ ଥିଲା ସ୍ରୋତ

ଏବେ ତହିଁ ଶୋଭେ ନଦୀ-ନୀର,

ଘନ ବା ବିରଳ ଭାବ

ବିପର୍ଯ୍ୟସ୍ତ ପାଦପ-ଶ୍ରେଣୀର ।

ମଣଇ ମୁଁ ଅନ୍ୟ ବନ

ଦଷଖିବାରୁ ବହୁକାଳ ପରେ,

ଶୈଳର ସଂସ୍ଥାନ ଏକା

କ୍ଷଣମାତ୍ରେ ଭ୍ରମ ଦୂର କରେ ।

 

ହାୟ ! ଏଠାରୁ ଚାଲିଯିବା ପାଇଁ ମୋର ପାଦ ଉଠୁନାହିଁ । ପଞ୍ଚବଟାର କି ସ୍ନେହାକର୍ଷଣ ! (ସକରୁଣ ଭାବରେ)

 

ଯହିଁ ପ୍ରିୟାସହ ଯାପିଲି ସୁଖେ ବହୁ ଦିବସ,

ଯାହା ପ୍ରସଙ୍ଗରୁ ଲଭିଲି ଆହା କେତେ ହରଷ ।

ସେ ପଞ୍ଚବଟୀକି କେମନ୍ତେ ପ୍ରିୟା ବିନା ଏ ଜନ

ବିଲୋକିବ, ଅବା ନ ଦେଖି ଚାଲିଯିବ ବହନ ?

 

ଶମ୍ୱୁକ – (ପ୍ରବେଶ କରି) ଜୟ ଦେବ ! ଭୋ ଦେବ ! ଭଗବାନ୍‌ ଅଗସ୍ତ୍ୟ ମୋଠାରୁ ଆପଣଙ୍କ ଆଗମନ-ବାର୍ତ୍ତା ଶୁଣି ଏହି କଥା କହି ପଠାଇ ଅଛନ୍ତି, ସ୍ନେହମୟୀ ଲୋପାମୁଦ୍ରା ଆପଣଙ୍କର ବିମାନାବତରଣ ନିମିତ୍ତ ମାଙ୍ଗଲ୍ୟ ବସ୍ତ୍ର ସବୁ ସଜାଡ଼ି ବାଟକୁ ଚାହିଁ ବସିଅଛନ୍ତି । ଅନ୍ୟ ଋଷିମାନେ ମଧ୍ୟ ଆପଣଙ୍କ ଦର୍ଶନ ନିମିତ୍ତ ମାର୍ଗ ପ୍ରତୀକ୍ଷା କରୁଅଛନ୍ତି । ଅତଏବ, ଥରେ ଦେଖା ଦେଇଯାନ୍ତୁ। ପରେ ପୁଷ୍ପକରଥରେ ଶୀଘ୍ର ଅଯୋଧ୍ୟା ଗମନ କରି ଅଶ୍ୱମେଧ ନିମିତ୍ତ ପ୍ରସ୍ତୁତ ହେବେ ।

 

ରାମ –ଭଗବାନ୍‌ ଅଗସ୍ତ୍ୟଙ୍କର ଯେ ଆଜ୍ଞା ।

 

ଶମ୍ୱୁକ – ତେବେ ଏ ଆଡ଼କୁ ରଥ ବୁଲାନ୍ତୁ ।

 

ରାମ – ଭଗବତି ପଞ୍ଚବଟି ! ଗୁରୁଜନଙ୍କ ଆଜ୍ଞା ଯୋଗୁଁ ତୁମ୍ଭଙ୍କୁ କ୍ଷଣେ ଲଙ୍ଘି ଯାଉଅଛି; ଏ ଅପରାଧ କ୍ଷମାକର ।

 

ଶମ୍ୱୁକ – ଭୋ ଦେବ, ଦେଖନ୍ତୁ । ଏ କୌଞ୍ଚାବତ ଗିରି –

ପେଚକର ଘୁତ୍କାର –ଶବ୍ଦ ଶୁଣି ବାୟସକୁଳ

ବଂଶବନେ ଲୁଚିଅଛନ୍ତି ଭୟେ ମୂଢ ଆକୁଳ ।

ମଯୁରର ଘୋର ଶବଦେ ଭୀତ ସର୍ପ ସକଳେ

ପୁରାତନ ବଟକ୍ରୋଟରେ ଲୁଚୁଛନ୍ତି ବିକଳେ

ପୁଣି ଦେଖନ୍ତୁ

ପରସ୍ପର ଘାତେ ଉଠୁଛି ଯ଼ାହାର

ଉତ୍ତାଲ୍ଲ କଲ୍ଲୋଳମାଳା

ସେ ନଦୀମାନଙ୍କ ପବିତ୍ର ସଙ୍ଗମ

ହରଇ ତ୍ରିତାପଜ୍ୱାଳା

(ସମସ୍ତଙ୍କର ପ୍ରସ୍ଥାନ)

 

ଇତି ପଂଚବଟୀ ପ୍ରବେଶ ନାମକ ଦ୍ୱିତୀଯ ଅଙ୍କ

 

ତୃତୀୟ ଅଙ୍କ

 

(ତଦନନ୍ତର ସ୍ତ୍ରରରୂପଧାରିଣୀ ତମସା, ମୁରଲା ନଦୀଦ୍ୱୟର ପ୍ରବେଶ)

 

ତମସା – ସଖି ମୁରଲେ, ତୁମ୍ଭେ କାହିଁକି ବଡ଼ ବ୍ୟସ୍ତ ଥିଲା ପରି ଦିଶୁଚ ?

 

ମୁରଲା- ତମସେ ! ଅଗସ୍ତିଙ୍କର ପତ୍ନୀ ଭଗବତୀ ଲୋପାମୁଦ୍ରା ନଦୀଶ୍ରେଷ୍ଠା ଗୋଦାବରୀଙ୍କୁ ଏହି କଥା କହିବା ପାଇଁ ମୋତେ ପଠାଇଛନ୍ତି, ‘‘ସୀତାଙ୍କ ତ୍ୟାଗକଲା ଦିନ ରାମଙ୍କର କି ଅବସ୍ଥା ହୋଇଅଛି, ତାହା ତ ତୁମ୍ଭେ ଜାଣ ।

 

ଗମ୍ଭୀର ସ୍ୱଭାବଯୋଗୁଁ ନୁହେ ପ୍ରକାଶିତ,

ଅନ୍ତରର ଘନ ବ୍ୟଥା ଅନ୍ତରେ ପୋଷିତ ।

ରୁଦ୍ଧ ପାତ୍ରମଧ୍ୟେ ଯଥା ଦ୍ରବ୍ୟର ଦାହନ,

ରାମଙ୍କ ବିରହ-ଶୋକ ଅଟଇ ତେସନ ।

 

ତାଦୃଶ ଇଷ୍ଟଜନଙ୍କର ସେହି ଘୋର କଷ୍ଟ କଥା ଭାଳି ଭାଳି ରାମଭଦ୍ରଙ୍କର ଶୋକସନ୍ତାପ ଏପରି ପ୍ରଗାଢ଼ ହୋଇଅଛି ଯେ, ସେ ଅତ୍ୟନ୍ତ କ୍ଷୀଣ ହୋଇପଡ଼ିଲେଣି । ତାଙ୍କୁ ଆଜି ଦେଖି ମୋ ହୃଦୟ ଥରି ଉଠିଲା । ଏବେ ସେ ଲେଉଟି ଯାଉଚନ୍ତି । ବାଟରେ ପଞ୍ଚବଟୀ ବନରେ ବଧୂସହ ନିବାସ-ପ୍ରଣୟ-ସୁଖର ସାକ୍ଷୀସ୍ୱରୂପ ସ୍ଥାନଗୁଡ଼ିକ ତାଙ୍କ ଦୃଷ୍ଟିରେ ପଡ଼ିବ । ସେ ସ୍ୱଭାବତଃ ଧୈର୍ଯ୍ୟବାନ୍‌ ହେଲେହେଁ ସେତେବେଳେ ସେପରି ଅବସ୍ଥାରେ ଗଭୀର ଶୋକକ୍ଷୋଭରେ ତାଙ୍କର ପଦେ ପଦେ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ଅଛି । ସେଥିପାଇଁ ଭଗବତି ଗୋଦାବରୀ ! ତୁମକୁ ଅତ୍ୟନ୍ତ ସାବଧାନ ରହିବାକୁ ହେବ।

 

ତରଙ୍ଗ-ଶୀକର-            ବାହୀ ସୁଶୀତଳ

ପଦ୍ମଗନ୍ଧ ସମୀରଣେ

ପେଷି ଧୀର ଧୀରେ            ରାମଙ୍କର ମୋହ

ନାଶିବ ଗୋ ସଯତନେ ।’’

 

ତମସା –      ଭଗବତୀ ଲୋପାମୁଦ୍ରାଙ୍କର ସ୍ନେହ ଯେପରି, ସେହିପରି ସୁନ୍ଦର ବ୍ୟବସ୍ଥା ହୋଇଅଛି । କିନ୍ତୁ ଆଜି ରାମଚନ୍ଦ୍ରଙ୍କର ସଂଜୀବନର ଅବ୍ୟର୍ଥ ଉପାୟ ନିକଟରେ ଉପସ୍ଥିତ ।

 

ମୁରଲା – କିପରି ?

 

ତମସା ଶୁଣ, ପୂର୍ବ ଲକ୍ଷ୍ମଣ ସୀତାଙ୍କୁ ବାଲ୍ମୀକି ଋଷିଙ୍କ ତପୋବନ ନିକଟରେ ତ୍ୟାଗ କରିଗଲା- ଉତ୍ତାରେ ତାଙ୍କର ପ୍ରସବ-ବେଦନା ହେଲା । ସେ ଅସହ୍ୟ ଦୁଃଖ-ଯନ୍ତ୍ରଣାରେ ଆପଣାକୁ ଗଙ୍ଗା-ପ୍ରବାହରେ ନିକ୍ଷେପ କଲେ । ସେତିକିବେଳେ ତାଙ୍କର ଦୁଇଟି ସନ୍ତାନ ପ୍ରସୂତ ହେଲେ ଏବଂ ସେହିକ୍ଷଣି ଭଗବତୀ ପୃଥ୍ୱୀ ଏବଂ ଭଗବତୀ ଭାଗୀରଥି ତାହାଙ୍କୁ ଓ ସନ୍ତାନଦ୍ୱୟଙ୍କୁ ପାତାଳକୁ ଘେନିଗଲେ । ତହିଁ ଉତ୍ତାରେ ସେମାନେ ସ୍ତନ୍ୟ ତ୍ୟାଗକରନ୍ତେ ସ୍ୱୟଂ ଭାଗୀରଥୀ ଦେବୀ ସେହି ବାଳକଦ୍ୱୟଙ୍କୁ ମହର୍ଷି ବାଲ୍ମୀକିଙ୍କଠାରେ ଅର୍ପଣ କରି ଆସିଲେ ।

 

ମୁରଲା – ଏପରି ଜନଙ୍କ ଦଶାବିପର୍ଯ୍ୟୟ

ଅଟେ ଅତି ଚମତ୍କାର,

ଯହିଁରେ ସହାୟ ଦେବତାନିକର

କରୁଛନ୍ତି ପ୍ରତିକାର ।

 

ତମସା –      ଏବେ ସରଯୂ-ମୁଖରୁ ଶମ୍ୱୂକବୃତ୍ତାନ୍ତ ଯୋଗୁଁ ରାମଙ୍କର ଜନସ୍ଥାନକୁ ଆସିବା କଥା ଶୁଣି ଭଗବତୀ ଭାଗୀରଥୀ, ଲୋପାମୁଦ୍ରା ସ୍ନେହ ହେତୁରୁ ଯାହା ଆଶଙ୍କା କରିଥିଲେ, ତାହା ହିଁ ଆଶଙ୍କା କରି ଗୃହକୃତ୍ୟ ଛଳରେ ସୀତାଙ୍କ ସଙ୍ଗରେ ଗୋଦାବରୀଙ୍କି ଭେଟିବା ଲାଗି ଆସିଅଛନ୍ତି ।

 

ମୁରଲା –ଭାଗୀରଥୀଙ୍କର ଏ ବିଚାରଟି ବଡ଼ ଭଲ ହୋଇଅଛି । ରାମଭଦ୍ର ଯେତେବେଳେ ରାଜଧାନୀରେ ଥିଲେ, ସେତେବେଳେ ଜଗତର କଲ୍ୟାଣକର ନାନାବିଷୟରେ ବ୍ୟାପୃତ ଥିବାରୁ ତାଙ୍କ ମନ ଅଧୀର ନ ଥିଲା । କିନ୍ତୁ ଏବେ ସେ କେବଳ ଶୋକ-ଭାବ ବହନ କରି ପଞ୍ଚବଟୀକୁ ଆସିଅଛନ୍ତି । ସେଥିପାଇଁ ବଡ଼ ଅନର୍ଥ ହେବାର ସମ୍ଭବ । ଅତଏବ ଭଗବତୀ ଭାଗୀରଥିଙ୍କର ସୀତାଙ୍କୁ ଆଣିବା ବଡ଼ ଭଲ ହୋଇଅଛି । କିନ୍ତୁ ସୀତାଙ୍କ ଆଗମନରେ ରାମଙ୍କର କିପରି ସାନ୍ତ୍ୱନା ହେବ ବୁଝିପାରୁ ନାହିଁ ।

 

ତମସା –      ଦେବୀ ଭାଗୀରଥି ସୀତାଙ୍କୁ ଏହି କଥା କହିଚନ୍ତି, ‘‘ବତ୍ସେ ଜାନକି । ଆଜି ଲବ କୁଶଙ୍କର ଦ୍ୱାଦଶ ବାର୍ଷିକ ଜନ୍ମତିଥି । ସେଥିପାଇଁ ସଂଖ୍ୟା-ମଙ୍ଗଳ-ଗ୍ରନ୍ଥି ବାନ୍ଧିବାର ବିଧି ପାଳିବାକୁ ହେବ । ତୁମେ ନିଜ ହସ୍ତରେ ପୁଷ୍ପ ତୋଳି ତୁମ ଶ୍ୱଶୁରକୁଳର ଆଦିପୁରୁଷ ମନୁବଂଶର ଆଦିପିତା ସେହି ପାପହାରୀ ସୂର୍ଯ୍ୟଦେବଙ୍କୁ ପୂଜା କର । ତୁମେ ପୃଥିବୀରେ ବିଚରଣ କଲାବେଳେ ଦେବ ପ୍ରଭାବରେ ବନଦେବତା ସୁଦ୍ଧା ତୁମକୁ ଦେଖିପାରିବେ ନାହିଁ- ମର୍ତ୍ତ୍ୟ ମନୁଷ୍ୟର କଥା କଣ କହିବି ?’’ ଏଇପରି ସୀତାଙ୍କୁ କହି ଦେବୀ ମୋତେ ଏଇ ଆଜ୍ଞା କଲେ, ‘‘ତାମସେ ! ତୁମଠାରେ ସୀତାଙ୍କର ଅତ୍ୟନ୍ତ ଅନୁରାଗ, ତୁମେ ତାଙ୍କ ସଙ୍ଗେ ଥାଅ ।’’ ମୁଁ ତେବେ ଯାଉଚି, ଦେବୀଙ୍କ ଆଜ୍ଞା ପାଳନ କରିବି ।

 

ମୁରଲା – ମୁଁ ବି ଯାଉଚି, ଭଗବତୀ ଲୋପାମୁଦ୍ରାଙ୍କୁ ଏ ବୃତ୍ତାନ୍ତ ଜଣାଇବି । ରାମଭଦ୍ର ଆସିଥିବାର ବି ଜଣାଯାଉଚି।

 

ତମସା – ଏଇ ତ ଜାନକୀ ଗୋଦାବରୀ ହ୍ରଦରୁ ବାହାରି ବନ ଭିତରକୁ ଆସୁଛନ୍ତି ।

 

ମଳିନ କାନ୍ତି କ୍ଷୀଣ କପୋଳଦେଶ

ପ୍ରସାଧନରହିତ ପ୍ରଳମ୍ୱ କେଶ,

କରୁଣା-ମୂର୍ତ୍ତ ଯେହ୍ନେ ଦିଶନ୍ତି ସତୀ,

ଅବା ବିରହବ୍ୟଥା ବିଗ୍ରହବତୀ ।

 

ମୁରଲା – ଆହା ସେହି ତ ସୀତା ।

ବୃନ୍ତସ୍ଖଳିତ ନବ ପଲ୍ଲବ ସରି

ମିଳନ କ୍ଷୀଣ ଦେହ ଅଟେ ତାଙ୍କରି ।

ହୃଦ-କୁସୁମ-ଶୋଷୀ ଦୀର୍ଘ ଦାରୁଣ

ଶୋକ ଦହୁଛି ଦେହ କ୍ଷଣକୁ କ୍ଷଣ ।

ଶରଦର ପ୍ରଖର ରୌଦ୍ର ଯେସନ

କେତକୀ-ଗର୍ଭ-ପତ୍ରେ କରେ ଶୋଷଣ ।

ଇତି ବିଷ୍ମମ୍ଭକ ।

(ସକରୁଣ ଔତ୍‌ସୁକ୍ୟ ସହ ପୁଷ୍ପଚୟନବ୍ୟଗ୍ରା ସୀତାଙ୍କର ପ୍ରବେଶ)

 

ସୀତା – କି ଆଶ୍ଚର୍ଯ୍ୟ ! ପ୍ରିୟସଖୀ ବାସନ୍ତୀଙ୍କର ତୁଣ୍ଡ ଶୁଭୁଚି !                        (ନେପଥ୍ୟେ)

 

ସୀତା ଦେବୀ ନିଜ ହସ୍ତେ ଶଲ୍ଲକୀ ପଲ୍ଲବେ

ତୋଳି ଯତ୍ନେ ଖୋଉଥିଲେ ଯେ କରି-କରଭେ,

 

ସୀତା – ତାର କଣ ହେଲା ? (ପୁନର୍ବାର ନେପଥ୍ୟେ

କ୍ରୀଡ଼ନ୍ତେ ସେ ବଧୂସଙ୍ଗେ ରଙ୍ଗେ ନଦୀଜଳେ

ଦୃଷ୍ଟ ଦନ୍ତାବଳ ତାକୁ ଆକ୍ରମିଛି ବଳେ ।

 

ସୀତା –      (ବ୍ୟସ୍ତଭାବରେ କେତେ ପହଣ୍ଡ ଯାଇ) ନାଥ ! ରକ୍ଷା କର, ମୋର ସେ ପୁଅଟିକୁ ରକ୍ଷାକର । (କ୍ଷଣେ ଚିନ୍ତା କରି) ହା, ଧିକ୍‌ ! ପଞ୍ଚବଟି ଦର୍ଶନରେ ସେଇ ଚିରପରିଚିତ ଅକ୍ଷରଗୁଡ଼ିକ ଏ ଅଭାଗିନୀର ତୁଣ୍ଡରୁ ବାହାରୁଚି । ହେ ନାଥ !                  (ମୁର୍ଚ୍ଛିତା)

 

ତମସା – (ପ୍ରବେଶ କରି )ବତ୍ସେ ଜାନକି ! ଆଶ୍ୱସ୍ତ ହୁଅ ।

 

(ନେପଥ୍ୟେ) – ହେ ବିମାନରାଜ, ଏହିଠାରେ ଥାଅ ।

 

ସୀତା-      (ଭୟ ଓ ହର୍ଷରେ କମ୍ପିତା) ଆହା ! ସଜଳ ମେଘଧ୍ୱନି ପରି ଗମ୍ଭିର ବାଣୀ କେଉଁଠାରୁ ଆସୁଚି ? ବାକ୍ୟଗୁଡ଼ିକ କର୍ଣ୍ଣରେ ପ୍ରବେଶ କରି ଏ ଅଭାଗିନୀକି ଯେହ୍ନେ ଜୀବଦାନ କରୁଚି ।

 

ତମସା – (ସସ୍ନେହେ ଓ ସାଶ୍ରୁନେତ୍ରେ )ବତ୍ସେ !

ମୟୁର ଚକିତ ଯଥା ମେଘଗରଜନେ,

କା ଅସ୍ଫୁଟ ସ୍ୱରେ ହେଲ ଉତ୍ସୁକା ତେସନେ ?

 

ସୀତା - ଭଗବତୀ ! ଅସ୍ଫୁଟ ସ୍ୱର ବୋଲି କଣ କହୁଚନ୍ତି ? ମୁଁ ତ ସ୍ୱର ଶୁଣି ବୁଝିପାରିଚି ଯେ, ଆର୍ଯ୍ୟପୁତ୍ର କଥା କହୁଚନ୍ତି ।

 

ତମସା – ମୁଁ ଶୁଣିଚି ଯେ, ଜଣେ ଶୁଦ୍ର ତପସ୍ୱୀକି ଦଣ୍ଡ ଦେବାପାଇଁ ଇକ୍ଷ୍ୱାକୁବଂଶୀୟ ନୃପତି ଏଇ ଜନସ୍ଥାନକୁ ଆସିଚନ୍ତି ।

 

ସୀତା – ଏ ବଡ଼ ଭାଗ୍ୟର କଥା ଯେ, ସେ ରାଜାଙ୍କର ରାଜଧର୍ମ ପାଳନରେ କିଛି ତ୍ରୁଟିନାହିଁ

 

(ନେପଥ୍ୟେ)

ଯହିଁ ଦ୍ରୁମନିଚୟ ମୃଗନିକର

ହୋଇଥିଲେ ସକଳେ ବନ୍ଧୁ ମୋହର ।

ପ୍ରିୟା ସଙ୍ଗତେ ଜହିଁ ବହୁ ଦିବସ

ଭୁଞ୍ଜିଲି ପ୍ରଣୟର ଅମୃତ ରସ

ଏହି ସେ ଗୋଦାବରୀ ନଦୀ ନିକଟ

ଝର-କନ୍ଦର-ପୂର୍ଣ୍ଣ ପର୍ବତ-ତଟ ।

 

ସୀତା –      ( ଅନାଇ) ଏ କଣ, ସତେ ତ ଆର୍ଯ୍ୟପୁତ୍ର ! ଆହା, ତାଙ୍କର ଶରୀର କିପରି କୃଶ ହୋଇଯାଇଚି ! ମୁଖ ପ୍ରଭାତ-ଚନ୍ଦ୍ର ପରି ମଳିନ ଦିଶୁଚି ! କେବଳ ତାଙ୍କର ସୌମ୍ୟ ଗମ୍ଭୀର ଆକାର ଓ ପ୍ରଭାବରୁ ଯାହା ଚିହ୍ନି ହେଉଚି ! (ଏହା କହି ତମସାଙ୍କୁ ଆଳିଙ୍ଗନ କରି ମୂର୍ଚ୍ଛିତା)

 

ତମସା – ବତ୍ସେ ! ଧୈର୍ଯ୍ୟ ଧର ! ଧୈର୍ଯ୍ୟ ଧର !!

 

(ନେପଥ୍ୟେ)

ଏହି ପଞ୍ଚବଟୀ-ଦର୍ଶନରେ-

ଅନ୍ତରେ ଗୁପ୍ତ ହେଉଁ ଦୁଃଖ-ଅନଳ

ଜଳିବ ଆହା, ଆଜି ପ୍ରଚଣ୍ଡୋଜ୍ଜ୍ୱଳ,

ପୂର୍ବରୁ ମୋହ ତାର ଧୂମ ସମାନ

ଆଚ୍ଛନ୍ନ କରୁଅଛି ମୋହର ପ୍ରାଣ ।

ହା ପ୍ରିୟେ !

 

ତମସା –(ସ୍ୱଗତ) ଗୁରୁଜନମାନେ ଯାହା ଆଶଙ୍କା କରିଥିଲେ, ସେଇଆ ଘଟିଲା ।

 

ସୀତା - ହାୟ ! ହାୟ ! ଏ କଥା କିପରି କହୁଚନ୍ତି ?

 

(ନେପଥ୍ୟେ) –

ଦଣ୍ଡକାରଣ୍ୟ, ପ୍ରିୟସଖି ଜାନକି ! (ମୂର୍ଚ୍ଛା)

 

ସୀତା –      ହା ଧିକ୍‌ ! ହା ଧିକ୍‌ ! ଏଇ ଅଭାଗିନୀକି ସ୍ମରଣ କରି ଆର୍ଯ୍ୟପୁତ୍ର ନୟନ-କମଳ ମୁଦି ଦେଇ ମୂର୍ଚ୍ଛିତ ହେଲେ ! ଆହା, କିପରି ହତାଶ ଓ ଅସମ୍ଭାଳ ହୋଇ ତଳେ ପଡ଼ିଚନ୍ତି ! ଦେବି ତମସେ ! ରକ୍ଷା କର । ଆର୍ଯ୍ୟପୁତ୍ରଙ୍କୁ ବଞ୍ଚାଅ ।

(ଏହା କହି ତମସାଙ୍କ ପାଦତଳେ ପତିତା)

 

ତମସା – ବଞ୍ଚାଅ ନରେଶ ଆଜି

ତୁମେ ଗୋ କଲ୍ୟାଣି,

ପ୍ରାଣପଦ ପ୍ରିୟସ୍ପର୍ଶ ତବ ପଦ୍ମପାଣି ।

 

ସୀତା – ଯାହା ହେବାର ହେଉ, ଭଗବତୀ ଯେପରି କହୁଚନ୍ତି । (ବ୍ୟାକୁଳ ଭାବରେ ପ୍ରସ୍ଥାନ)

(ତଦନନ୍ତର ସାଶ୍ରୁନୟନା ସୀତାଙ୍କର ସ୍ପର୍ଶରେ ଚେତନାପ୍ରାପ୍ତ ରାମଚନ୍ଦ୍ରଙ୍କର ପ୍ରବେଶ)

 

ସୀତା – (ହର୍ଷଭରେ ସ୍ୱଗତ) ତ୍ରୈଲୋକ୍ୟନାଥଙ୍କର ପ୍ରାଣ ପୁଣି ଫେରିଆସିଲା ପରି ବୋଧ ହଉଚି ।

 

ରାମ – ଆହା, ଏ କି ଚମତ୍କାର !

 

ନନ୍ଦନବନର            ଚନ୍ଦନ ପଲ୍ଲବ

ରସ କି ପଡ଼ୁଛି ଝରି !

ସୁଧାକର କର-            ନିକରୁ ନିର୍ଗତ

ସୁଧା କି ପଡ଼ୁଛି କ୍ଷରି !

ମୃତ ସଂଜୀବନ            ମହୌଷଧି-ରସ

କି ଦେଉଛି ଢାଳି ହୃଦେ ?

ଦଗ୍‌ଧ ପ୍ରାଣ ମୋର            ହେଉଛି ଶୀତଳ

ପରିତୃପ୍ତ ମହାମୁଦେ !

ଚିରପରିଚିତ            ଏ ସେହି ପରଶ

ସଂଜୀବନ ସମ୍ମୋହନ,

ସନ୍ତାପ-ମୋହରୁ            ବଞ୍ଚାଇ ଏ ପ୍ରାଣ

ହର୍ଷ-ମୋହ ହରେ ମନ ।

 

ସୀତା –(ସଭୟେ ଅଳ୍ପଦୂରକୁ ଘୁଞ୍ଚିଯାଇ) ଏତେବେଳେ ଏତିକି ମୋର ବହୁତ ।

 

ରାମ – (ଉଠି ବସି) ସତେ କି ମୁଁ ପ୍ରେମମୟୀ ସୀତାଦେବୀଙ୍କି ପାଇଅଛି ?

 

ସୀତା – ହା ଧିକ୍‌ ! ହା ଧିକ୍‌ ! କଣ କରିବି ! ଆର୍ଯ୍ୟପୁତ୍ର ମୋତେ ଖୋଜିବେ ପରା ?

 

ରାମ – ହଉ, ଥରେ ଦେଖେ ।

 

ସୀତା – ଭଗବତୀ ତମସେ ! ଆସ ଏଠାରୁ ଚାଲିଯିବା । ମୁଁ ତାଙ୍କ ଅନୁମତି ବିନା ଆସିଚି, ମୋତେ ଦେଖିଲେ କାଳେ କୋପ କରିବେ ?

 

ତମସା – ଅୟି ବତ୍ସେ ! ଭାଗିରଥୀ ଦେବୀଙ୍କର ପ୍ରସାଦରୁ ତୁମେ ବନଦେବତାଙ୍କର ସୁଦ୍ଧା ଅଦୃଶ୍ୟ ।

 

ସୀତା – ହଁ ହଁ, ମନେପଡ଼ିଲା ।

 

ରାମ – ପ୍ରିୟେ ଜାନକି !

 

ସୀତା – (ସ୍ୱଗତ) ଯେଉଁ ବୃତ୍ତାନ୍ତ ଘଟି ଯାଇଅଛି, ତହିଁ ଉତ୍ତାରେ ଏପରି ପ୍ରିୟବଚନ କିପରି ମୁଖରୁ ବାହାରୁଚି ? (ସାଶ୍ରୁ ନେତ୍ରେ) ଆଉ ମୋ ହୃଦୟ କଣ ଏପରି କଠୋର ଯେ ଜନ୍ମାନ୍ତରରେ ସୁଦ୍ଧା ଯାହାଙ୍କର ଦର୍ଶନ ମୋର ଏକାନ୍ତ ଦୁର୍ଲଭ, ମୋର ସେହି ପ୍ରାଣନାଥ ଏହି ଅଭାଗିନୀକି ଲକ୍ଷ୍ୟ କରି ସ୍ନେହରେ ଏପରି କହୁଚନ୍ତି; ମୁଁ ପୁଣି ତାଙ୍କ ଉପରେ କୋପ କରିବାକୁ ବସିଚି ! ମୁଁ ତାଙ୍କ ହୃଦୟ ଜାଣେ; ସେ ବି ମୋ ହୃଦୟ ଜାଣନ୍ତି ।

 

ରାମ – (ଚାରିଆଡ଼କୁ ଅନାଇ ନିରାଶ ଭାବରେ) ହାୟ, ଏଠାରେ କେହି ନାହିଁ ।

ସୀତା – ଦେବି ତମସେ ! ମୋତେ ଅକାରଣେ ତ୍ୟାଗ କରିଥିଲେହେଁ ୟାଙ୍କୁ ଦେଖି ମୋ ହୃଦୟ କଣ ହେଉଚି, କିଛି ଜାଣିପାରୁନାହିଁ ।

 

ତମସା – ବତ୍ସେ ! ମୁଁ ଜାଣେ ଜାଣେ ।

ଘୋର ନିରାଶଯୋଗୁଁ ଉଦାସ ଅତି,

ଦାରୁଣ ବ୍ୟବହାରେ ବ୍ୟଥିତ ମତି ।

ଦୀର୍ଘ ବିରହ ଅନ୍ତେ ନାଥେ ସହସା

ଭେଟିଣ ବତ୍ସେ, ହୋଇଅଛ ବିବଶା ।

ପୁଣି ପ୍ରାଣନାଥଙ୍କ ପ୍ରେମ-ଉଚ୍ଛ୍ୱାସ

ଦେଖି ହୃଦୟେ ଲଭୁଅଛ ଆଶ୍ୱାସ ।

ତାଙ୍କ ଦୁଃଖ ବିଳାପ ଶୁଣି ଆବର

ପ୍ରେମେ ଯାଉଛି ଦ୍ରବି ହୃଦ ତୁମ୍ଭର ।

 

ରାମ – ଦେବି !

ମୂର୍ତ୍ତିମନ୍ତ ନିଦର୍ଶନ ତବ ପ୍ରସାଦର,

ସ୍ନେହେ ଆର୍ଦ୍ର ସୁଶୀତଳ ପରାଣ ତୁମ୍ଭର,

ଅଦ୍ୟାପି ଆନନ୍ଦେ ସ୍ନିଗ୍‌ଧ କରୁଛି ଏ ପ୍ରାଣ,

କିନ୍ତୁ ଦୟାମୟି ! କାହିଁ କଲ ଗୋ ପ୍ରସ୍ଥାନ ।

 

ସୀତା – ଅପାର ସ୍ନେହପୂର୍ଣ୍ଣ, ଆନନ୍ଦସୁଧାବର୍ଷୀ ଆର୍ଯ୍ୟପୁତ୍ରଙ୍କର କଥାଗୁଡ଼ିକ ଶୁଣି ନିଷ୍କାରଣ ପରିତ୍ୟାଗର ଦୁଃଖବେଦନାରେ ବ୍ୟଥିତହୃଦୟା ହୋଇ ସୁଦ୍ଧା ମୋ ଜନ୍ମକୁ ସାର୍ଥକ ମଣୁଚି ।

 

ରାମ – ଅଥବା ପ୍ରିୟତମା ଏଠାକୁ କାହୁଁ ଆସିବେ ? ଏ କେବଳ ମୋର ଭାବନାଜନିତ ଭ୍ରମ ।

 

(ନେପଥ୍ୟେ-) ଘୋର ପ୍ରମାଦ ଉପସ୍ଥିତ !

ସୀତା ଦେବୀ ନିଜହସ୍ତେ ଶଲ୍ଲକୀ-ପଲ୍ଲବେ

ତୋଳି ଯତ୍ନେ ଖୋଉଥିଲେ ସେ କରିକରଭେ,

 

ରାମ – (କରୁଣାଯୁକ୍ତ ଉତ୍କଣ୍ଠାରେ) ସେ କରିକରଭର କଣ ହେଲା ?

 

(ପୁଣି ନେପଥ୍ୟେ-)

କ୍ରୀଡ଼ନ୍ତି ସେ ବଧୁ ସଙ୍ଗେ ରଙ୍ଗେ ନଦୀଜଳେ

ଦୃଷ୍ଟ ଦନ୍ତାବଳ ତାକୁ ଆକ୍ରମିଛି ବଳେ ।

 

ସୀତା – ହାୟ ହାୟ ! ଏତେବେଳେ କିଏ ତାକୁ ରକ୍ଷା କରିବ ?

 

ରାମ – କାହିଁ ସେ ଦୁରତ୍ମା, ଯେ ପ୍ରିୟାଙ୍କର ପୁତ୍ରକକୁ ଆକ୍ରମଣ କରିଚି ?       (ଉତ୍‌ଥାନ)

 

ବାସନ୍ତୀ – (ପ୍ରବେଶ କରି) ଏ କଣ ଦେବ ରଘୁନନ୍ଦନ ରାମଭଦ୍ର ?

 

ସୀତା – ମୋର ପ୍ରିୟ ସଖୀ ବାସନ୍ତୀ କି ?

 

ବାସନ୍ତୀ – ଦେବଙ୍କର ଜୟ ହେଉ !

 

ରାମ – ଦେବୀଙ୍କର ପ୍ରିୟସଖୀ ବାସନ୍ତୀ କି ?

 

ବାସନ୍ତୀ –ଦେବ ! ଚାଣ୍ଡେ ବିଜେ କରନ୍ତୁ । ଏଠାରୁ ଜଟାୟୁଶିଖରର ଦକ୍ଷିଣରେ ଥିବା ସୀତାତୀର୍ଥ ପର୍ଯ୍ୟନ୍ତ ଯାଇ ସେହିବାଟେ ଗୋଦାବରୀକି ଅବତରଣ କରି ଦେବୀଙ୍କର ପୁତ୍ରକକୁ ରକ୍ଷାକରନ୍ତୁ ।

 

 

ସୀତା – ହା ତାତ ଜଟାୟୋ ! ତୁମ୍ଭ ବିନା ଜନସ୍ଥାନ ଶୂନ୍ୟ ହୋଇଅଛି ।

 

ରାମ – ଆହା ଏ କଥାଗୁଡ଼ିକ ଏକାନ୍ତ ମର୍ମଭେଦୀ ।

 

ବାସନ୍ତୀ – ମହାରାଜ ! ଏଇବାଟେ ଆସନ୍ତୁ ।

ସୀତା – ଭଗବତୀ ତମସେ ! ସତେ କଣ ମୋତେ ବନଦେବତା ବି ଦେଖିପାରୁନାହାନ୍ତି ?

ତମସା – ସମସ୍ତେ ଦେବତାଙ୍କ ଅପେକ୍ଷା ଭାଗୀରଥୀ ଦେବୀଙ୍କ ପ୍ରଭାବ ଅଧିକା । ତମେ କାହିଁକି ଭୟ କରୁଚ ?

କଲ୍ୟାଣ-ଭାଜନ ହୋଇଅଛି ମହାଯଶେ ।

ସୀତା – ଏବେ ସେ ଦୀର୍ଘାୟୁ ହୋଇ ବଧୂଠାରୁ ସର୍ବଦା ଅବିଯୁକ୍ତ ଥାଉ ।

 

 

 

ସୀତା – ତେବେ ଚାଲନ୍ତୁ, ତାଙ୍କ ପଛେ ପଛେ ଯିବା ।

 

ରାମ – (ପରିକ୍ରମଣ କରି) ଭଗବତି ଗୋଦାବରି ! ନମସ୍ତେ ।

 

ବାସନ୍ତୀ – (ନଦୀ ଆଡ଼କୁ ଅନାଇ) ଦେବ !

 

ଦେଖନ୍ତୁ ! ଦେବୀଙ୍କ ପୁତ୍ରକ ବିଜୟୀ ହୋଇ ବଧୂ ସହିତ ଆସୁଅଛି ।

 

ରାମ – ସେ ବିଜୟୀ ଏବଂ ଦୀର୍ଘାୟୁ ହେଉ ।

 

ସୀତା – କି ଆଶ୍ଚର୍ଯ୍ୟ ! ୟେ ଏତେ ବଡ଼ ହୋଇଗଲାଣି ।

 

ରାମ –       ଦେବି ! କି ସୌଭାଗ୍ୟ !

 

ମୃଣାଳ ବଲ୍ଲବ ସମ କୋମଳ ଦନ୍ତରେ

ଲବଣୀ ପଲ୍ଲବ ତବ କର୍ଣ୍ଣ ସ୍ନେହଭରେ

ନେଉଥିଲା କାଢ଼ି ଦେବି ! ଯେ କରିକରଭ,

ସେହି ତବ ପୁତ୍ର ମତ୍ତ-ମାତଙ୍ଗ-ଗରବ

ଖର୍ବି ଅବହେଳେ ଏବେ ତରୁଣ ବୟସେ

 

ରାମ – ସଖି ବାସନ୍ତି ! ଦେଖ, କରୀଟି ପ୍ରିୟାର ମନୋରଞ୍ଜନ କରିବା ବିଷୟରେ କିପରି ଚାତୁର୍ଯ୍ୟ ଶିଖିଅଛି।

କ୍ରୀଡ଼ାରେ ଉପାଡ଼ି ମୃଣାଳ କାଣ୍ଡେ

ଖଣ୍ଡେ ଖଣ୍ଡେ ଦେଇ ବଧୂର ତୁଣ୍ଡେ

ପଦ୍ମଗନ୍ଧ ଜଳଗଣ୍ଡୂଷ ସୁଖେ

ଦେଉଅଛି ପ୍ରେମେ କାନ୍ତାର ମୁଖେ;

ପୁଣି ଶୁଣ୍ଡେ ଜଳଧାରା ବରଷି

ପ୍ରିୟା ଦେହ ସିକ୍ତ କରି ସୁରସୀ

ସୁନୀଳ ନଳିନୀ-ପତ୍ର ତା ଶିରେ

ଛତ୍ରରୂପେ ଆହା ଧରୁଛି ଧୀରେ ।

 

ସୀତା – ଭଗବତି ତମସେ ! ଏ ତ ଏତେ ବଡ଼ ହେଲାଣି; ଏତେବେଳକୁ କୁଶ ଲବ କିପରି ହେଲେଣି, କିଛି ଜାଣିପାରିଲିନାହିଁ ।

 

ତମସା – ଏ ଯେପରି ବଡ଼ ହୋଇଗଲେଣି, ସେ ଦୁହେଁ ବି ସେହିପରି ହେବେଣି ।

 

ସୀତା – ମୁଁ ଏପରି ମନ୍ଦଭାଗିନୀ ଯେ କେବଳ ପତି-ବିରହ ଦୁଃଖ ନୁହେଁ, ପୁତ୍ର-ବିରହ ଦୁଃଖ ବି ମୋତେ ସହିବାକୁ ହେଉଚି !

 

ତମସା – ବତ୍ସେ ! ଯାହା ଘଟିବାର ତାହା ଘଟିଛି । ଦୈବବିଧାନକୁ କିଏ ଲଙ୍ଘିବ ?

 

ସୀତା –      ମୋର ପ୍ରସୂତି ହେବା ବୃଥା !ଆହା, ପ୍ରାଣନାଥ ଅଦ୍ୟାପି ସେମାନଙ୍କର କୋମଳ ଧବଳ ଦନ୍ତପନ୍ତିଶୋଭିତ ଶୁଭ୍ର ସୁନ୍ଦର ମୁଖପଦ୍ମ ଚୁମ୍ବିଲେ ନାହିଁ, ସେମାନଙ୍କର ମଧୁର ହସ ଦେଖିଲେ ନାହିଁ, ତାଙ୍କ ମଧୁର କଥା ଶୁଣିଲେ ନାହିଁ ।

 

ତମସା – ପ୍ରଭୁଙ୍କ ପ୍ରସାଦରେ ସେଇତା ଘଟୁ ।

ସୀତା –      ଦେବି ! ପୁତ୍ରଙ୍କୁ ସ୍ମରଣ କରନ୍ତେ ମୋ ଉଚ୍ଛ୍ୱସିତ ସ୍ତନରୁ କ୍ଷୀର ସ୍ରବି ପଡ଼ୁଛି, ଆଉ ସେମାନଙ୍କ ପିତା ନିକଟରେ ଥିବାରୁ ମନେହେଉଚି, ଯେହ୍ନେ ମୁଁ ପୁଣି କ୍ଷଣକାଳ ସଂସାରିଣୀ ହୋଇଚି ।

 

ତମସା – ସନ୍ତାନ ପତି-ପତ୍ନୀଙ୍କ ସ୍ନେହରେ ଶେଷ୍ଠ ପରିମାଣ ଓ ପିତାମାତାଙ୍କ ଅନ୍ତଃକରଣର ପୁଣ୍ୟବନ୍ଧନ ।

 

ପତିପତ୍ନୀ-ହୃଦୟର ପ୍ରଣୟବନ୍ଧନେ

ଅପତ୍ୟ ଆନନ୍ଦଗ୍ରନ୍ଥି ବିଦିତ ଭୁବନେ ।

 

ବାସନ୍ତୀ – ଦେବ ! ଦେଖନ୍ତୁ ।

କଦମ୍ବ ବଅକ୍ଷେ ବସି କାନ୍ତା ସଙ୍ଗତେ

ହରଷମୟ ନୃତ୍ୟ ଉତ୍ସବ ଅନ୍ତେ

ତରୁର ମଣିମୟ ମୁକୁଟ ସରି

ଚଞ୍ଚଳ ଚାରୁ ପୁଚ୍ଛ ବିସ୍ତାର କରି

ସୀତା-ପାଳିତ କେକୀ ଆନନ୍ଦଭରେ

କରଇ କେକା ଧ୍ୱନି ତରୁ-ଶିଖରେ !

 

ସୀତା – (ସାଶ୍ରୁଲୋଚନେ କୌତୁକଭରେ) ହଁ, ଏ ମୋରସେଇ ମୟୂରଟି ।

 

ରାମ – ବତ୍ସ ! ଚିରକାଳ ଏଇପରି ଆମୋଦ କରୁଥାଅ ।

 

ସୀତା – ସେଇତା ହେଉ ।

 

ରାମ – ଡୋଳାକୁ ବୁଲାଇ ହରଷେ

ନେତ୍ର-ପତ୍ର-ଭିତରେ

ଭୁରୁକୁ ନଚାଇ ସଘନେ

କରତାଳ ସଙ୍ଗରେ

ନଚାଉଥିଲେ ସେ ବୈଦେହୀ

ତୋତେ କେତେ ଆଦରେ,

ତେଣୁ ତୋତେ ସତ ପ୍ରାୟେ ମୁଁ

ସ୍ନେହଭରେ ସୁମରେ ।

କି ଆଶ୍ଚର୍ଯ୍ୟ ! ପକ୍ଷିମାନେ ସୁଦ୍ଧା ପରିଚୟକୁ ପାସୋରନ୍ତି ନାହିଁ ?

 

ଯେଉଁ କଦମ୍ବେ ପ୍ରିୟା ଥିଲେ ବଢ଼ାଇ,

ପୁଷ୍ପିତ ଏବେ ତାର ହୋଇଛି ଡାହି ।

 

ସୀତା –(ସାଶ୍ରୁନେତ୍ରେ) ଆହା, ସେ ତ ଠିକ୍‌ ଚିହ୍ନିଚନ୍ତି ।

 

ରାମ –       ସ୍ୱଜନ ପ୍ରାୟେ ତାକୁ ମଣି ଆଦରେ

ତିଥି ପରେ ବସଇ ପ୍ରମୋଦଭରେ ।

ବାସନ୍ତୀ –

ଦେବ ! ଏଠାରେ କ୍ଷଣେ ବସନ୍ତୁ ।

ଏ ସେହି କଦଳୀଜନ ଯହିଁ ଶିଳା ପରେ

କାନ୍ତା ସଙ୍ଗେ ଶୋଇଥିଲ ପ୍ରଫୁଲ୍ଲ ଅନ୍ତରେ ।

ଦେଉଥିଲେ ସୀତା ଏଥି ତୃଣ ମୃଗଦଳେ,

ତେଣୁ ମୃଗେ ନ ଛାଡ଼ନ୍ତି ଏ ନିଭୃତ ସ୍ଥଳେ ।

 

ରାମ – ଏ ସ୍ଥଳ ଦେଖିଲାବେଳକୁ ମୋ ହୃଦୟ ଭାଙ୍ଗିପଡ଼ୁଛି । (ରୋଦନପୂର୍ବକ ଅନ୍ୟତ୍ର ଗମନ)

 

ସୀତା –      ସଖି ବାସନ୍ତି ! ଏ କଣ କଲ ! କାହିଁକି ଏସବୁ ଦେଖାଯାଉ ? ହାୟ ! ଏଇ ସେହି ଆର୍ଯ୍ୟପୁତ୍ର, ଏଇ ସେହି ପଞ୍ଚବଟୀ ବନ, ଏଇ ସେଇ ବାସନ୍ତୀ, ଏଇ ସେଇ ଚିରପରିଚିତ ପ୍ରେମାଳାପ-ସାକ୍ଷୀ ଗୋଦାବରୀତଟକାନନ, ଏଇ ସେଇ ସନ୍ତାନ-ତୁଲ୍ୟ ମୃଗ ପକ୍ଷୀ ତରୁଲତା ଆଉ ସେହି ମୁଁ, କିନ୍ତୁ ମୁଁ ଏଡ଼େ ଅଭାଗିନୀ ଯେ ଏଇ ସବୁ ଯାହା ମୁଁ ଦେଖୁଚି, ତାହା ମୋ ସମ୍ବନ୍ଧରେ ନ ଥିଲା ପରି । ହାୟ! ସଂସାରର କି ପରିବର୍ତ୍ତନ !

 

ବାସନ୍ତୀ – ସଖି ସୀତେ ! ରାମଙ୍କର ଏ ଅବସ୍ଥା କଣ ଦେଖୁ ନାହିଁ ?

 

ଶ୍ରୀଅଙ୍ଗ ତାଙ୍କର            କୁବଳୟଦଳ

ପ୍ରାୟେ ପ୍ରିୟ ଦରଶନ,

ଯାହା ଦେଖି ସଦା            ନବ ନବୋତ୍ସବ

ଲଭୁଥିଲ ଅନୁକ୍ଷଣ ।

ଏବେ ସେ ବରାଙ୍ଗ      ଶୋକେ ମ୍ଳାନ କ୍ଷୀଣ

ଦେହ ବିକ ଇନ୍ଦ୍ରିୟ,

ସେହି ରାମ ଏହି            ଚିହ୍ନିବା କଠିନ

ତଥାପି ନୟନପ୍ରିୟ ।

 

ସୀତା – ସଖି ! ମୁଁ ଦେଖୁଚି, ଦେଖୁଚି ।

 

ତମସା – ବତ୍ସେ ! ପ୍ରିୟତମଙ୍କ ଦର୍ଶନ ତୁମ ଭାଗ୍ୟରେସର୍ବଦା ଘଟୁ ।

 

ସୀତା –      ହା ଦୈବ ! ଏ ମୋତେ ଛାଡ଼ି ରହିବେ, ମୁଁ ୟାଙ୍କୁ ଛାଡ଼ି ରହିବ, ଏହା ସ୍ୱପ୍ନରେ ସୁଦ୍ଧା କାହାରି ସମ୍ଭାବିତ ଥିଲା ? ଏତିକି ଯା ଦେଖିଲି, ଏହା ଜନ୍ମାନ୍ତରର ଦର୍ଶନ ପରି ବୋଧ ହେଉଚି । ଏ ଅଶ୍ରୁମଳିନ ଚକ୍ଷୁରେ କ୍ଷଣେ ପ୍ରାଣନାଥଙ୍କୁ ପୁଣି ଥରେ ଦେଖିଥାଏଁ।(ସତୃଷ୍ଣଭାବେ ଦର୍ଶନ)

 

ତମସା – (ସାଶ୍ରୁଲୋଚନେ ସସ୍ନେହେ ଆଲିଙ୍ଗନ କରି)

ଦର୍ଶନ-ତୃଷ୍ଣାରେ      ଅତି ବିସ୍ଫାରିତ

ଦୃଷ୍ଟି ତବ ପ୍ରେମମୟି,

ଶୋକେ ଆନନ୍ଦରେ            ଦବଳ ଅମଳ

ସ୍ନେହମୟ ଦୃଷ୍ଟିପାତେ,

ସ୍ନେହାମୃତ ରସେ            ପାଦ କରାଉଛ

ପ୍ରାଣସଖା ପ୍ରାଣନାଥେ ।

ବାସନ୍ତୀ –

ପୁଣି ଅଭ୍ୟାଗତ ଶ୍ରୀରାମ ଦେବ ଏହି ବନରେ,

ଫଳ-ପୁଷ୍ପ-ଅର୍ଘ୍ୟେ ତାହାଙ୍କୁ ପୂଜ ତରୁନିକରେ !

କମଳ-ସୁରଭି ପବନ ! ଧୀରେ ବହ ଏ ବନେ,

ଅବିରଳ କଳ-ସଙ୍ଗୀତେ ଗାଅ ବିହଙ୍ଗଗଣେ !

 

ରାମ – ସଖି ବାସନ୍ତି ! ଆସ ଏହିଠାରେ ବସ ।

 

ବାସନ୍ତୀ – (ସାଶ୍ରୁଲୋଚନେ) କୁମାର ଲକ୍ଷ୍ମଣଙ୍କର କୁଶଳ ତ ?

 

ରାମ – (ନଶୁଣିଲା ପରି)

ତୃଣ ଜଳ ଧାନ୍ୟ ଦେଇ ସେ କରକମଳେ

ପୋଷିଲେ ସୀତା ଯେ ତରୁ ପକ୍ଷୀ ମୃଗଦଳେ ।

ସେ ସବୁ ଦେଖନ୍ତେ ମୋର ପାଷାଣ ହୃଦୟ

ଯାଉଛି ବିଦୀର୍ଣ୍ଣ ହୋଇ, ହେଉଛି ଅଥୟ ।

 

ବାସନ୍ତୀ – ମହାରାଜ ! ମୁଁ ପଚାରୁଛି, କୁମାର ଲକ୍ଷ୍ମଣଙ୍କର କୁଶଳ ତ ?

 

ରାମ –      (ସ୍ୱଗତ) ହାୟ ! ମୋତେ ମହାରାଜ ବୋଲି ପ୍ରୀତିଶୂନ୍ୟ ସମ୍ବୋଧନ କଲେ; ପୁଣି ଲକ୍ଷ୍ମଣଙ୍କର ନାମ ଉଚ୍ଚାରଣକଲା ମାତ୍ରକେ ଅଶ୍ରୁଭରେ ୟାଙ୍କ କର୍ଣ୍ଣରୋଧ ହେଲା! ବୋଧହଉଚି ଏ ସୀତାଙ୍କ ବୃତ୍ତାନ୍ତ ଜାଣଛନ୍ତି । (ପ୍ରକାଶ୍ୟେ) ହଁ, କୁମାରଙ୍କର କୁଶଳ । (ରୋଦନ)

 

ବାସନ୍ତୀ – ଦେବ ! ଏଡ଼େ ନିଦାରୁଣ ହେଲ କିପରି ?

 

ସୀତା – ସଖି ବାସନ୍ତି ! ତାଙ୍କୁ ଏପରି କଥା କାହିଁକି କହୁଚ ? ସେ ସମସ୍ତଙ୍କର, ବିଶେଷରେ ପୁଣି ମୋ ପ୍ରିୟସଖୀର ପ୍ରୀତି ଓ ଆଦଦର ଯୋଗ୍ୟ ।

 

ବାସନ୍ତୀ – ହୃଦୟଦୋସର ତୁ ପ୍ରାଣ ମୋହର

ନେତ୍ର-କୌମୁଦୀ ତୁହି ସୁଧା ଅଙ୍ଗର,

ଏସନ ଶତ ଶତ ପ୍ରିୟବଚନେ

ଭୁଲାଇଣ ସରଳା ଅବଳା ଜନେ,

ତାକୁ କି ଫଳ ଅବା ସେ କଥା କହି,

ସ୍ମରି ତାହା ହୃଦୟ ହେଉଛି ବହି ।

(ଏହା କହି ମୂର୍ଚ୍ଛା)

 

ରାମ – ହଠାତ୍‌ ବଚନ-ରୋଧ ହୋଇ ମୋହ ଯିବା ଏହାଙ୍କ ସ୍ନେହର ଅନୁରୂପ ଅଟେ । ସଖି ! ଆଶ୍ୱସ୍ତ ହୁଅ, ଆଶ୍ୱସ୍ତ ହୁଅ।

 

ବାସନ୍ତୀ –(ଆଶ୍ୱସ୍ତୀ ହୋଇ) ଦେବ ! କିପରି ଏ ଅକାର୍ଯ୍ୟ କଲ ?

 

ସୀତା – ସଖି ବାସନ୍ତି ! ତୁନି ହୁଅ, ଆଉ ସେ କଥା କହ ନାହିଁ ।

 

ରାମ – ଲୋକେ ବୁଝନ୍ତି ନାହିଁ ବୋଲି ....

 

ବାସନ୍ତୀ – ଏଥିର ହେତୁ କଣ ?

 

ରାମ – ତା ସେ ଲୋକେ ଜାଣନ୍ତି ।

 

ତମସା – ଏପରି ଲୋକଙ୍କୁ ମନ୍ଦ ବୋଲିବା ଉଚିତ ।

 

ବାସନ୍ତୀ – ଯଶ ତୁମ୍ଭର ପ୍ରିୟ ହେ ମହାବାହୁ,

ଏଥୁଁ ବଳିଅଯଶ କି ଅଛି ଆଉ ?

ମୃଗନେତ୍ରୀର ଦଶା କି ହେଲା ବନେ ?

ମହ ନରେଶ, କିସ ଭାଳୁଛ ମନେ ?

 

ସୀତା – ସଖି ବାସନ୍ତି ! ତୁମେ କି ଦାରୁଣ ଓ କଠୋର କଥା କହି ତାଙ୍କ ଦୁଃଖାଗ୍ନିକୁ ପ୍ରଜ୍ଜ୍ୱଳିତ କରୁଚ ।

 

ତମସା – ବାସନ୍ତୀଙ୍କର ସେ କଥାଗୁଡ଼ିକ ତାଙ୍କ ପ୍ରାଣର ଗଭୀର ସ୍ନେହ ଓ ଶୋକ ପ୍ରକାଶ କରୁଚି ।

 

ରାମ – ସଖି ବାସନ୍ତି ! ଏ ବିଷୟରେ ମୁଁ ଆଉ କଣ କହିବି ?

ଶିଶୁ-କୁରସଙ୍ଗମ ଚଞ୍ଚଳନେତ୍ରୀ,

କଠୋର ଗର୍ଭଭାରେ ଅଳସଗାତ୍ରୀ,

କୋମଳ ଆହା ମୃଦୁ ମୃଣାଳ ସରି,

ଅଙ୍ଗଲତିକା ଜ୍ୟୋସ୍ନାମୟୀ ତାଙ୍କରି,

ରାକ୍ଷସେ ତାଙ୍କୁ ନିଶ୍ଚେ ଥିବେଣି ଗ୍ରାସି,

କାହୁଁ ଦେଖିବି ଆଉ ସେ ରୂପ-ରାଶି ?

 

ସୀତା – ନାଥ ! ଏଇ ତ ମୁଁ ବଞ୍ଚିରହିଚି !

 

ରାମ – ହା ପ୍ରିୟେ ଜାନକି ! କାହିଁ ଗଲ ?

 

ସୀତା – ହାୟ ହାୟ ! ଆର୍ଯ୍ୟପୁତ୍ର କାନ୍ଦୁଛନ୍ତି !

 

ତମସା – ବତ୍ସେ ! ବିଳାପ କ୍ରନ୍ଦନହିଁ ଏତେବେଳେ ଶୋକଶାନ୍ତିର ଉପାୟ ।

 

ଅତିରିକ୍ତ ଜଳବୃଦ୍ଧି ହେଲେ ତଡ଼ାଗରେ,

ଜଳ-ନିଃସାରଣ ତାର ପ୍ରତିକାର କରେ ।

ଶୋକର ପ୍ରବଳ ବେଗେ ହୋଇଲେ ବିକଳ,

ବିଳାପ-କ୍ରନ୍ଦନେ ପ୍ରାଣ ହୁଅଇ ଶୀତଳ ।

 

ବିଶେଷତଃ ରାମଚନ୍ଦ୍ରଙ୍କୁ ସଂସାରର ବହୁ କଷ୍ଟ ସହିବାକୁ ପଡ଼େ ।

 

ଏ ବିଶ୍ୱ ସାମ୍ରାଜ୍ୟ            ପାଳୁଛନ୍ତି ସଦା

ଯଥାବିଧି ନୃପବର ।

ଏଣେ ପୁଣି ପ୍ରାଣ            ରୌଦ୍ରେ ପୁଷ୍ପସମ

ତବ ଶୋକେ ଜରଜର ।

ନିଜେ ତ୍ୟାଗ କରି-       ଥଇବାରୁ ବିଳାପେ

ଶୋକ ନୁହଇ ଶମିତ ।

କ୍ରନ୍ଦନରେ ଲାଭ            ଏତିକି ମାତ୍ରକ,

ଅଛନ୍ତି ପ୍ରାଣେ ଜୀବିତ ।

 

ରାମ –       ହାୟ କି ଦାରୁଣ କଷ୍ଟ !

ଶୋକେ ବିଦଳିତ ହୃଦୟ ଯାଉ ନାହିଁ ତ ଫାଟି,

ମୋହେ ବାରମ୍ବାର ପୀଡ଼ିତ ସଂଜ୍ଞା ନ ଯାଏ ତୁଟି।

ଅନ୍ତର୍ଦାହେ ସଦା ସନ୍ତପ ଭସ୍ମ ନୋହିଲା ତନୁ,

ମର୍ମ କରତୁଛି ଦଇବ ମାରୁ ନାହିଁ ଜୀବନୁ ।

 

ସୀତା – ହାୟ ହାୟ ! ଆର୍ଯ୍ୟପୁତ୍ରଙ୍କର କି କଷ୍ଟ !

 

ରାମ – ହେ ନଗରବାସୀ            ଜନପଦବାସୀ

ଗୃହେ ସ୍ଥିତି ଦେବୀଙ୍କର

ଯେଣୁ ହେ ତୁମ୍ଭର            ନୁହେ ଅଭିମତ

ତେଣୁ ତେଜିଲି ନିକର ।

ତୃଣ ପ୍ରାୟେ ତାଙ୍କୁ            ଶୂନ୍ୟ ଅରଣ୍ୟରେ

ଅନୁଶୋଚନା ନ କରି,

ଚିରପରିଚିତ            ସେହି ଦୃଶ୍ୟମାନ

ଦେଖନ୍ତେ ଏବେ ମୋହରି,

ହୃଦୟ ବିକଳ            ବ୍ୟାକୁଳ ହେଉଛି

କାନ୍ଦିଉଠୁଅଛି ପ୍ରାଣ ।

ଅଶରଣ ମୁହିଁ            ହୁଅ ହେ ପ୍ରସନ୍ନ

କର ମୋତେ ପରିତ୍ରାଣ ।

 

ତମସା – ଆହା ! ୟାଙ୍କ ଶୋକ-ସିନ୍ଧୁର      କି ବିଷମ ଉଚ୍ଛ୍ୱାସ !

 

ବାସନ୍ତୀ – ଦେବ, ଗଲା କଥା ଗଲାଣି, ଏବେ ଧୈର୍ଯ୍ୟ ଅବଲମ୍ବନ କରନ୍ତୁ ।

 

ରାମ – ସଖି ! ଧୈର୍ଯ୍ୟର କଥା କଣ କହୁଚ ?

ଦ୍ୱାଦଶ ବରଷ ହେଲାଣି ସୀତାଶୂନ୍ୟ ଏ ଭୁବନ,

ଲୁପ୍ତ ପ୍ରାୟ ନାମ ହେଲେହେଁ ଧରିଛି ମୁଁ ଜୀବନ।

 

ସୀତା – ଆର୍ଯ୍ୟପୁତ୍ରଙ୍କର କଥା ଶୁଣି ମୋ ପ୍ରାଣ କର ହେଇଯାଉଚି ।

 

ତମସା – ହଁ ବତ୍ସେ !

ହେଲେହେଁ ସ୍ନେହାର୍ଦ୍ର            ସୁଧାଧାର ସମ

ସୁମଧୁର ଏ ବଚନ,

ଶୋକର ଦାରୁଣ                  ବିଷ ମିଶି ତହିଁ

ଘାରଇ ତୁମ୍ଭର ମନ ।

 

ରାମ – ସଖି ବାସନ୍ତି !

ହୃଦୟେ ପ୍ରବିଷ୍ଟ            ଜ୍ୱଳନ୍ତ ଅଙ୍ଗାର

ଅବା ବିଷାକ୍ତ ଦଂଶନ,

ପରାଏ ଶୋକର            ବିଷମ ଯାତନା

ସହିଛି ମୁଁ ଅନୁକ୍ଷଣ ।

 

ସୀତା – ମୁଁ ଏପରି ମନ୍ଦଭାଗିନୀ, ଆର୍ଯ୍ୟପୁତ୍ର ପୁଣି ମୋ ଲାଗି ଏତେ କଷ୍ଟ ପାଉଚନ୍ତି !

 

ରାମ –      ବହୁ କଷ୍ଟରେ ଯେଉଁ ମନକୁ ବହୁକାଳ ସମ୍ଭାଳି ରଖିଥିଲି, ତାହା ଆଜି ଏହି ସବୁ ପୂର୍ବ-ପରିଚିତ ଦୃଶ୍ୟମାନ ଦେଖି ଶୋକର ଆବେଗରେ ଅତୀତ ଅସ୍ଥିର ହୋଇପଡ଼ୁଛି ।

ପ୍ରବଳ ଜଳସ୍ରୋତ ବହି ପ୍ରଖରେ

ଭାଙ୍ଗି ବାଲୁକାସେତୁ ଚଳେ ସାଗରେ,

ତେସନ ଧୃତି ଚେଷ୍ଟା ବିଫଳ କରି

ଘୋର ଶୋକ ହୃଦୟେ ଯାଏ ପ୍ରସରି ।

 

ସୀତା – ତାଙ୍କର ଏହି ଦାରୁଣ ଶୋକ ବ୍ୟାକୁଳତା ଦେଖି ମୋ ହୃଦୟ ଥରି ଉଠୁଛି ।

 

ବାସନ୍ତୀ –(ସ୍ୱଗତ) ଆହା, ଦେବ ଅତ୍ୟନ୍ତ କଷ୍ଟ ପାଉଚନ୍ତି; ତାଙ୍କ ଅନ୍ୟ ବିଷୟ ମଡ଼କୁ ଆକର୍ଷଣ କରେଁ । (ପ୍ରକାଶ୍ୟେ) ଏବେ ଏହି ଜନସ୍ଥାନର ଚିରପରିଚିତ ପ୍ରଦେଶଗୁଡ଼ିକ ଦେଖନ୍ତୁ ।

 

ରାମ – ହଉ ।                                           (ଉଠି ପରିକ୍ରମଣ)

 

ସୀତା – ଯାହା ଦୁଃଖର ଉଦ୍ଦୀପକ, ପ୍ରିୟ ସଖି ତାହାକୁ ବିନୋଦର ଉପାୟ ମନେକରୁଚନ୍ତି ।

 

ବାସନ୍ତୀ – ଦେବ, ଦେବ !

 

ପ୍ରିୟା ପଥକୁ ଅନାଇ      ରହିଥିଲ ନରସାଇଁ

ଉତ୍କଣ୍ଠିତ ଚିତ୍ତେ ଏହି ଲତାଭବନେ ।

ସୀତା ଗୋଦାବରୀତୀରେ      ହର୍ଷକୌତୁକ ବିଧିରେ

ରତ ଥିଲେ ହଂସକ୍ରୀଡ଼ା ଅବଲୋକନେ ।

ଲେଉଟି ଦେଖନ୍ତେ ତବ ମୁଖ ବିରସ,

କାତରେ ଯୋଡ଼ିଲେ କର ପଦ୍ମ-ସଦୃଶ ।

 

ସୀତା –      ସଖି ବାସନ୍ତି ! ତୁମେ ବଡ଼ ଦାରୁଣ, ତୁମର ଏହି ମର୍ମଭେଦୀ କଥାଗୁଡ଼ିକଦ୍ୱାରା ମୋତେ ଏବଂ ଆର୍ଯ୍ୟପୁତ୍ରଙ୍କୁ କେତେ କଷ୍ଟ ଦେଉଚ ବୁଝୁ ନାହିଁ ।

 

ରାମ –      ଅୟି କୋପନେ ଜାନକି ! ତୁମେ ଯେହ୍ନେ ଏଣେ ତେଣେ ଦିଶୁଚ; କିନ୍ତୁ କାହିଁକି ମୋତେ ଦୟା କରୁନାହିଁ ? ହା ଦେବି ! ହା ଦେବି !

 

ଫାଟିଯାଉଅଛି ହୃଦୟ, ଶରୀରରେ ବନ୍ଧନ

ଛିଣ୍ଡିଯାଉଅଛି ସବେଗେ, ଶୂନ୍ୟ ଦିଶେ ଭୁବନ,

ଅନ୍ତର ଜଳୁଛି ମୋହର ଅବିରତ ଜ୍ୱାଳାରେ,

ଅବସନ୍ନ ଆତ୍ମା ଯାଉଛି ବୁଡ଼ି ଶୋକ-ଅନ୍ଧାରେ,

ଦଶଦିଗ ମୋହେ ଆଚ୍ଛନ୍ନ କିଛି ଦିଶୁ ତ ନାହିଁ,

କି କରିବି ମନ୍ଦଭାଗ୍ୟ ମୁଁ ବଞ୍ଚିଅଛି କି ପାଇଁ ?

(ମୂର୍ଚ୍ଛା)

ସୀତା – ହାୟ ହାୟ ! ସେ ଯେ ପୁଣି ମୂର୍ଚ୍ଛିତ ହେଲେଣି !

 

ବାସନ୍ତୀ –ଦେବ ! ଶାନ୍ତ ହୁଅ, ଆଶ୍ୱସ୍ତ ହୁଅ ।

 

ସୀତା–ହେ ଆର୍ଯ୍ୟପୁତ୍ର ଏହି ମନ୍ଦ ଭାଗିନି ଲାଗି ସକଳ ଜୀବଲୋକର ମଙ୍ଗଳଧାର ତୁମ ଜୀବନ ଏହିପରି ବାରମ୍ବାର ବିକଳ ଓ ସଂଶୟିତ ହେଉଚି !

 

ତମସା – ବତ୍ସେ ! ଶାନ୍ତ ହୁଅ, ତୁମ୍ଭରି କରସ୍ପର୍ଶ ତାଙ୍କ ସଞ୍ଜୀବନର ଏକମାତ୍ର ଉପାୟ ।

 

ବାସନ୍ତୀ –କଣ ହେଲା ! ଏତେବେଳଯାଏଁ ମୋହ ଭାଙ୍ଗିଲା ନାହିଁ ? ହା ପ୍ରିୟସଖି ସୀତେ ! କାହିଁ ଅଛ ? ଏବେ ଜୀବିତେଶ୍ୱରଙ୍କୁ ବଞ୍ଚାଅ !

 

ସୀତା – (ଅତି ବ୍ୟସ୍ତ ଭାବରେ ହୃଦୟ ଓ ଲଲାଟ ସ୍ପର୍ଶ କଲେ)

 

ବାସନ୍ତୀ – ସୌଭାଗ୍ୟକ୍ରମେ ରାମଙ୍କର ଚେତନା ହେଲାଣି।

 

ରାମ – ସୁଧାମୟ ଲେପ       ଅନ୍ତରେ ବାହାରେ

ରନ୍ଧ୍ରେ ରନ୍ଧ୍ରେ ଏ ଦେହର

କେ ଦେଉଛି ବୋଳି,      କା’ର କରସ୍ପର୍ଶେ

ଜୀବିତ ହେଲି ମବର;

କା’ର ସ୍ପର୍ଶ ଏହି            ଅମୃତ-ସ୍ନେହରେ

କରି ମୋତେ ସଂଜୀବିତ,

ଆନନ୍ଦ-ଜନିତ            ନୂତନ ମୋହକୁ

କରୁଅଛି ସଞ୍ଚାରିତ !

(ଆନନ୍ଦରେ ନେତ୍ରି ନିମୀଳିତ କରି)

ସଖି ବାସନ୍ତି ! ମୋର ବଡ଼ ସୌଭାଗ୍ୟ ।

 

ବାସନ୍ତୀ – କିପରି ?

 

ରାମ – ସଖି, ଏଥୁଁ ବଳି ଆଉ କି ସୌଭାଗ୍ୟ ଅଛି ? ଜାନକୀଙ୍କୁ ପୁଣି ପାଇଛି ।

 

ବାସନ୍ତୀ – (ସ୍ପର୍ଶସୁଖ ଅଭିନୟ କରି) ଦେଖ, ଏଇ ଯେ ସମ୍ମୁଖରେ ଅଛନ୍ତି ।

 

ବାସନ୍ତୀ –ହେ ଦେବ ! ମୁଁ ତ ପ୍ରିୟସଖିଙ୍କ ଦୁଃଖରେ ସର୍ବଦା ଦଗଧ୍ ହେଉଚି । ତୁମେ ପୁଣି ଏ ମନ୍ଦଭାଗିନୀକି ମର୍ମଭେଦୀ ଦାରୁଣ ପ୍ରଳାପଦ୍ୱାରା ଥାଉ କାହିଁକି ଦଗଧ୍‌ କରୁଚ ?

 

ସୀତା –      ତାଙ୍କ ସ୍ନେହ-ମଧୁର ସୁଶୀତଳ ସ୍ପର୍ଶଦ୍ୱାରା ମୋର ଦାରୁଣ ଶୋକ-ସନ୍ତାପ ଦୂର ହେଲା ! କିନ୍ତୁ କାହିଁକି କେଜାଣି ମୋର ହସ୍ତ ଘର୍ମାକ୍ତ ଓ ଅବଶ ହୋଇ ଥରୁଚି । ଏବେ ଏଠାରୁ ଚାଲିଯାଏଁ ।

 

ରାମ – ସଖି ବାସନ୍ତି ! ପ୍ରଳାପ ବୋଲି କାହିଁକି କହୁଚ ?

ପରିଣୟ କାଳେ            ବଳୟଭୂଷିତ

ଯେଉଁ କର ଥିଲ ଧରି,

ଯେଉଁ କରସ୍ପର୍ଶ            ଚିରପରିଚିତ

ସୁଶୀତଳ ସୁଧା ସରି ।

 

ସୀତା – ନାଥ ! ତୁମେ ସେଇ ଆର୍ଯ୍ୟପୁତ୍ର ଅଛ ।

 

ରାମ –       ସେହି ସ୍ପର୍ଶ ଏହି            ଧରିଅଛି ମୁହିଁ

ସେହି ଶ୍ରୀକରକମଳ,

ଶୀତଳ                  ଲବଣୀ ପଲ୍ଲବ

ପ୍ରାୟେ ସ୍ନିଗଧ୍‌ ସୁକୋମଳ ।

 

ସୀତା – ହା ଧିକ୍‌ ! ଆର୍ଯ୍ୟପୁତ୍ରଙ୍କ ସ୍ପର୍ଶରେ ମୋହିତ ହୋଇ ମୋର ଏ କି ପ୍ରମାଦ ଉପସ୍ଥିତ ହେଲା !

 

ରାମ –      ସଖି ବାସନ୍ତି ! ଆନନ୍ଦରେ ମୋର ଇନ୍ଦ୍ରିୟ ସବୁ ଅବଶ ହୋଇପଡ଼ୁଛି । ଅତ୍ୟନ୍ତ ହର୍ଷଭରେ ମୁଁ ଆପଣାକୁ ସମ୍ଭାଳି ପାରୁ ନାହିଁ ମୁଁ ଆଉ ସୀତାଙ୍କହସ୍ତ ଧରି ପାରୁ ନାହିଁ । ମୁଁ ମୁ ସୀତାଙ୍କ ହସ୍ତ ଧରିପାରୁ ନାହିଁ । ତୁମେ ଧର ।

 

ବାସନ୍ତୀ – ହାୟ ହାୟ ! ୟା ଯେ ଉନ୍ମାଦ-ଦଶା !

 

ସୀତା –(ତ୍ରସ୍ତବ୍ୟସ୍ତ ହୋଇ ହସ୍ତ କାଢ଼ି ନେଇ ଦୁରକୁ ଗମନ)

 

ରାମ –       ହାୟ, କି ପ୍ରମାଦ ! କି ପ୍ରମାଦ !

ପରସ୍ପର ପରଶେ ଉଭୟଙ୍କର

ବିବଶ ସ୍ୱେଦଯୁକ୍ତ କମ୍ପିତ କର ।

ସହସା କେତେବଳେ ହସ୍ତୁଁ ମୋହର

କେ କାଢ଼ିନେଲା ଆହା ହସ୍ତ ତାଙ୍କର ?

 

ସୀତା – ହାୟ ! ତାଙ୍କର ଅସ୍ଥିର ଚକ୍ଷୁର ଡୋଳା କିପରି ଏଣେତେଣେ ବୁଲୁଚି ! ସେ ଆପଣାକୁ ପ୍ରକୃତିସ୍ଥ କରିପାରୁନାହିଁ ।

 

ତମସା – (ସସ୍ନେହେ ନରୀକ୍ଷଣ କରି)

ପ୍ରିୟ ପରଶ-ସୁଖେ ମଧୁର ସ୍ନେହେ

ସ୍ୱେଦ ରୋମାଞ୍ଚ ଘର୍ମ ଜାନକୀ ଦେହେ

ଉପୁଜିବାରୁ, ଦିଶୁଚନ୍ତି ଯେସନ,

କଦମ୍ବତରୁ ନବ-ପୁଷ୍ପ-ଶୋଭନ,

ନବ ବାରିଦଳଜଳେ ସଦ୍ୟ-ସିଞ୍ଚିତ

ମୃଦୁ ଶୀତ ସମୀରେ ଧୀରେ କମ୍ପିତ ।

 

ସୀତା –      (ସ୍ୱଗତ) ଏପରି ବିବଶା ହୋଇପଡ଼ିବାରୁ ତମସା ଦେବୀଙ୍କ ନିକଟରେ ବଡ଼ ଲଜ୍ଜା ପାଇଲି । କଣ ସେ ମନେ କରୁଥିବେ? ଅକାରଣ ଦାରୁଣ ପରିତ୍ୟାଗ ଉତ୍ତାରେ ସୁଦ୍ଧା ଆର୍ଯ୍ୟପୁତ୍ରଙ୍କଠାରେ ମୋର ଏଡ଼େ ଅନୁରାଗ !

 

ରାମ – ଦେବି, କାହିଁ ଅଛ ? ପ୍ରସନ୍ନ ହୁଅ । ମୋତେ ଏପରି ଅବସ୍ଥାରେ ଛାଡ଼ି ଯିବା ତୁମର ଉଚିତ ନୁହେଁ ।

 

ସୀତା – ହେ ଆର୍ଯ୍ୟପୁତ୍ର ! ଏ ବିପରୀତ କଥା ।

 

ବାସନ୍ତୀ –ଦେବ ! ପ୍ରସନ୍ନ ହୁଅ, ତୁମର ଆଲୌକିକ ଧୈର୍ଯ୍ୟବଲମ୍ବନରେ ବିରହ-ଶୋକକୁ ଶାନ୍ତ କର। ପ୍ରିୟସଖୀ ସୀତା ,ଠାରେ ନାହାନ୍ତି ।

 

ରାମ –      ସେ ନାହାନ୍ତି, ନୋହିଲେ ବାସନ୍ତୀ କଣ ତାଙ୍କୁ ଦେକି ପାରନ୍ତେ ନାହିଁ ? ଏ କଣ ସ୍ୱପ୍ନ ? ମୁଁ ତ ନିଦ୍ରିତ ନ ଥିଲି ଅଥବା ରାମର ସ୍ୱପ୍ନ କାହିଁ ?

 

 

କଳ୍ପନାପ୍ରସୂତ ଭ୍ରମ ମୋତେ ବାରମ୍ବାର ଅନୁସରଣ କରୁଅଛି ।

 

ବାସନ୍ତୀ – ଜଟାୟୁ ବିଭଗ୍ନ            କଳାରଥ ଏହି

ଲୌହେ ଗଢ଼ା ରାବଣର,

ଏହି ଅସ୍ଥିସ୍ତୂପ            ପିଶାଚ-ବଦନ

ରଥ-ଅଶ୍ୱମାନଙ୍କର ।

ଜଟାୟୁର ପକ୍ଷ            ଛେଦି ଏହିଠାରେ                    ବହି ରଥେ ସୀତା ସତୀ,

ବିଦ୍ୟୁତ୍‌ଗର୍ଭ ମେଘ            ପରାଏ ଆକାଶେ

ଚଳିଲା ରାକ୍ଷସପତି ।

 

ସୀତା – (ସଭୟେ) ଆର୍ଯ୍ୟପୁତ୍ର ! ତାତ ଜଟାୟୁ ନିହତ, ମୁଁ ଅପହୃତା ରକ୍ଷାକର ।

 

ରାମ – (ସବେଗେ ଉଠି) ରେ ଦୁରାତ୍ମାନ୍‌ ରାକ୍ଷସ ! ରହ, ରହ, କୁଆଡ଼େ ଯାଉଚୁ ?

 

ବାସନ୍ତୀ – ଭୋ ଦେବ ! ରାକ୍ଷସକୁଳରେ ପ୍ରଳୟ ଧୂମକେତୁ ! ଆଉ କି କ୍ରୋଧର ପାତ୍ର କେହି ରାକ୍ଷସ ଅଛି?

 

ସୀତା – ଓହୋ ! ମୁଁ ଉନ୍ମାଦିନୀ ପରି କଣ ବକୁଛି !

 

ରାମ –       ଥିବାରୁ ଯେ ବିରହେ ଉଦ୍ଧାରପଥ,

କର୍ମେ ନିବାରୁଥିଲି ଦୁଃଖ ସନ୍ତତ ।

ଯେ ବିରହେ ଜ୍ୱଳନ୍ତେ ସମରାନଳ

ଅଦ୍ଭୁତ-ରସେ ମଗ୍ନ ମହୀମଣ୍ଡଳ,

ଦେଖିଥିଲା ଅସଂଖ୍ୟ ବୀର-ମଥନ,

ତାହାର ସୀମା ଥିଲ ଶତ୍ରୁ-ନିଧନ,

ନାହିଁ ଯେଣୁ ଅବଧି ଏ ବିରହର,

କାହୁଁ ବା ପ୍ରତିକାର ହେବ ତାହାର ?

କେମନ୍ତେ ଅସୀମ ଏ ଘୋର ଅପାୟ

ଧୈର୍ଯ୍ୟ ଧରି ସହିବି, କାହିଁ ଉପାୟ ?

 

ସୀତା – ଏ ବିଚ୍ଛେଦର ଶେଷ ନାହିଁ । ହାୟ ! ମୁଁ କି ମନ୍ଦଭାଗିନୀ !

 

ରାମ – କପିପତି-ସଖ୍ୟ            କପି-ପରାକ୍ରମ

ହୋଇଛି ଯହିଁ ନିଷ୍ଫଳ,

ବ୍ୟର୍ଥ ଅଟେ ଯହିଁ            ଜାମ୍ବବାନ ବୁଦ୍ଧି

ହନୁମନ୍ତ-ବୀର୍ଯ୍ୟବଳ,

ବିଶ୍ୱକର୍ମାପୁତ୍ର            ନଳ ଯହିଁ ମାର୍ଗ

କରିବାକୁ ଅସମର୍ଥ,

ବୀର ସୌମିତ୍ରିର            ପ୍ରଖର ସାୟକ

ପାଇ ନ ପାରଇ ପଥ,

ସେ କେଉଁ ଦେଶରେ       ଅଛ ପ୍ରାଣପ୍ରିୟେ!

ମୋ ଆଶା କରି ନିହତ ?

 

ସୀତା – ମୁଁ ସେ ପୂର୍ବ- ବିରହକୁ ଶ୍ଳାଘ୍ୟ ମଣୁଅଛି ।

 

ରାମ – ବନ୍ଧୁମାନଙ୍କ ସଙ୍ଗେ ମୋର ଭେଟ କେବଳ ଦୁଃଖର କାରଣ । ତୁମକୁ ଆଉ କେତେ କନ୍ଦାଇବି ? ମୋତେ ଏବେ ବିଦାୟ ଦିଅ ।

 

ସୀତା – (ଉଦ୍‌ବେଗରେ ତମସାଙ୍କୁ ଧରି) ଭଗବତି ତମସେ ! ଆର୍ଯ୍ୟପୁତ୍ର କଣ ଚାଲିଯାଉଛନ୍ତି ?

 

ତମସା – ବତ୍ସେ, ଶାନ୍ତ ହୁଅ । ଆମ୍ଭମାନଙ୍କୁ କୁଶଲବଙ୍କର ବର୍ଷ-ବୃଦ୍ଧି- ମଙ୍ଗଳ ଅନୁଷ୍ଠାନ କରିବା ପାଇଁ ଦେବୀ ଭାଗୀରଥିଙ୍କ ନିକଟକୁ ଯିବାକୁହେବ ।

 

ସୀତା – ଭଗବତି ! ପ୍ରସନ୍ନ ହୋଇ କ୍ଷମାକର । ଆଉ କଣ ତାଙ୍କୁ ଦେଖିପାରିବି ? କ୍ଷଣେ ହେଲେ ତାଙ୍କୁ ଦେଖିଥାଏଁ ।

 

ରାମ - ଏବେ ଅଶ୍ୱମେଧ ନିମିତ୍ତ ମୋର ସହଧର୍ମଚାରିଣୀ ଅଛନ୍ତି !

 

ସୀତା – (ସକମ୍ପେ ସ୍ୱଗତ) ଆର୍ଯ୍ୟପୁତ୍ର ! କିଏ ?

 

ରାମ – ସୀତାଙ୍କର ସ୍ୱର୍ଣ୍ଣମୟୀ ପ୍ରତିମୂର୍ତ୍ତି ।

 

ସୀତା – (ସହର୍ଷେ ସଜଳନେତ୍ରେ) ନାତ ! ତୁମେ ସେହି ଆର୍ଯ୍ୟପୁତ୍ର ଅଛ, ମୋର ପରିତ୍ୟାଗର ଲଜ୍ଜା ଶଲ୍ୟଉଦ୍ଧାର କଲ ।

 

ରାମ – ତାହାକୁ ଦେଖି ବେଳେ ବେଳେ ବାଷ୍ପପୂରିତ ଚକ୍ଷୁକୁ ବିନୋଦିତ କରେଁ ।

 

ସୀତା – ସେଇ ଧନ୍ୟା, ଯାହାକୁ ଆର୍ଯ୍ୟପୁତ୍ର ସମ୍ମାନ କରନ୍ତି; ଧନ୍ୟା ସେହି, ଯେ, ଆର୍ଯ୍ୟପୁତ୍ରଙ୍କୁ ବିନୋଦିତ କରି ଜୀବଲୋକର ଆଶାର କାରଣ ହୋଇଅଛି ।

 

ତମସା – (ସସ୍ମିତ ଭାବେ ସାଶ୍ରୁନେତ୍ରେ ଆଲିଙ୍ଗନ କରି) ବତ୍ସେ ! ଏଥିରେ ଯେ ନିଜର ପ୍ରଶଂସା ନିଜେ କରୁଚ ।

 

ସୀତା – (ଲଜ୍ଜାରେ ଅଧୋମୁଖି, ସ୍ୱଗତ) ଦେବୀ ତମସା ମୋତେ ପରିହାସ କରୁଚନ୍ତି ।

 

ବାସନ୍ତି – (ରାମଙ୍କ ପ୍ରତି) ଆପଣଙ୍କର ଏଠାକୁ ଆଗମନ ଅତି ଶୋକାବହ ହୋଇଅଛି । ଏଠାରୁ ଆପଣଙ୍କ ଯିବା ବିଷୟରେ ମୁଁ କଣ କହିବି ? ଯେପରି କାର୍ଯ୍ୟହାନି ନ ଘଟେ, ସେହିପରି କରନ୍ତୁ ।

 

ସୀତା – (ସ୍ୱଗତ) ଯିବାର ଅନୁମତି ଦେଇ ସଖୀ ବାସନ୍ତୀ ଏବେ ମୋର ପ୍ରତିକୂଳ ହେଲେ ।

 

ତମସା – ଆସ ବତ୍ସେ ! ଯିବା ।

 

ସୀତା – (ମନ କଷ୍ଟରେ) ହଉ –

 

ତମସା – ତୃଷା-ଦୀର୍ଘ-ନେତ୍ରେ ଦୟିତେ

ରହିଅଛି ଅନାଇ,

ଘୋର କଷ୍ଟ ବିନା ସେ ନେତ୍ରେ

ପାରିବ କି ଫେରାଇ ?

 

ସୀତା – ମୋ ପରି ପୁଣ୍ୟ-ହୀନାର ଅତି ଦୁର୍ଲଭ ସେହି ଆର୍ଯ୍ୟପୁତ୍ର ଚରଣକମଳରେ ନମସ୍କାର ।

 

ତମସା – ବତ୍ସେ ! ଶାନ୍ତ ହୁଅ, ଶାନ୍ତ ହୁଅ ।

 

ସୀତା – (ଶାନ୍ତ ହୋଇ) ମେଘର ଭିତରବାଟେ ପୂର୍ଣ୍ଣିମାଚନ୍ଦ୍ର ଦର୍ଶନ କେତେ କ୍ଷଣ ସମ୍ଭବ ?

 

ତମସା – ବିଧାତାର କି ଆଶ୍ଚର୍ଯ୍ୟ ବିଧାନ !

ଏକହିଁ କରୁଣରସ ବିଭିନ୍ନ କାରଣେ

ଲଭେ କେତେ ରୂପାନ୍ତର ମାନବଜୀବନେ ।

ଆବର୍ତ୍ତବୁଦ୍‌ବୁଦ ପୁଣି ତରଙ୍ଗ ଆକାରେ,

ଭିନ୍ନ ଭିନ୍ନ ରୂପ ଧରେ ଜଳ ଯେ ପ୍ରକାରେ ।

 

ରାମ – ବିମାନରାଜ ! ଏଣିକି ଏଣିକି ।

 

ତମସା ଓ ବାସନ୍ତୀ –

 

(ଯଥାକ୍ରମେ ସୀତା ଓ ରାମଙ୍କ ପ୍ରତି)

ପୃଥ୍ୱୀ ଭାଗୀରଥୀ ମିଳି ଆମ୍ଭ ସଙ୍ଗତରେ,

ଆଦିକବି ବୋଲି ଖ୍ୟାତ ଯେ ଏ ଜଗତରେ ।

ଅରୁନ୍ଧତୀ ସହ ମହାମୁନୀନ୍ଦ୍ର ବଶିଷ୍ଠ

ବିଧାନ କରନ୍ତୁ ସର୍ବେ ଯାହା ତବ ଇଷ୍ଟ ।

 

ଛାୟା ନାମ ତୃତୀୟ ଅଙ୍କ ସମାପ୍ତ ।

 

ଚତୁର୍ଥ ଅଙ୍କ

(ଅନନ୍ତର ତାପସଦ୍ୱୟର ପ୍ରବେଶ)

ଭାଣ୍ଡାୟନ – ହେ ସୌଧାତକି ! ଆଜି ଦେଖ, ଆମ ବାଲ୍ମୀକି ମୁନିଙ୍କ ଆଶ୍ରମର କିପରି ଶୋଭା ହୋଇଅଛି । ଚାରିଆଡ଼େ ଅତିଥିମାନଙ୍କର ସମାବେଶ ହୋଇଅଛି । ପାକଶାଳାରେ କ୍ଷଣେ ସୁଦ୍ଧା ବିଶ୍ରାମ ନାହିଁ । ଦେଖ –

 

ନୀବାର ଅନ୍ନ କରି ପାକ

ଶିଷ୍ୟେ ଢାଳନ୍ତି ପେଜଯାକ ।

ସେ ପେଜ ଉଷୁମ ମଧୁର

ପିଅଇ ମୃଗ ଆଶ୍ରମର ।

ମଧୁର ଘୃତାନ୍ନର ବାସ

ଚହଟେ ବନ ଚଉପାଶ ।

ବଦରି କୋଳି ସଙ୍ଗେ ଶାକ

ବଟୁଏ କରୁଛନ୍ତି ପାକ ।

 

ସୌଧାତିକ – ସତେ ତ, ଆଜି ତ କେତେ ପାକଲାଦାଢିଆ ବୁଢା ଆସିଛନ୍ତି । ଏଥିପାଇଁ ଆଜି ଆମର ପଢା ବନ୍ଦ ହେଲା ପରା?

 

ଭାଣ୍ଡାୟନ – ଧନ୍ୟ ସୌଧାତିକ ! ପାକଲାଦାଢିଆ, ଆହା, କି ବିଶେଷଣ ଦେଲ ! ବୃଦ୍ଧ ଗୁରୁଜନମାନଙ୍କ ପ୍ରତି ତୁମ୍ଭର କି ଅପାର ଭକ୍ତି !

 

ସୌଧାତକି – ହେ ଭାଣ୍ଡାୟନ ! ବୃଦ୍ଧକୁଳତିଳକ ସେ ଅତିଥି ଜଣଙ୍କ କିଏ ? ତାଙ୍କ ନାଁ କଣ ?

 

ଭାଣ୍ଡାୟନ – ସୌଧାତିକ ! କେତେ ଥଟ୍ଟା କରୁଚ ? ତୁମ୍ଭେ କଣ ଜାଣନାହିଁ ଯେ ଭଗବାନ ବଶିଷ୍ଠ ଦେବ ଅରୁନ୍ଧତୀ ଆଉ ଦଶରଥ ମହାରାଜାଙ୍କର ବିଧାତା ରାଣୀମାନଙ୍କୁ ସଙ୍ଗରେ ଘେନି ଋଷ୍ୟଶୃଙ୍ଗଙ୍କ ଆଶ୍ରମରୁ ଏଠାକୁ ଆସିଅଛନ୍ତି ?

 

ସୌଧ – ହୁଁ ....ବାବା ବଶିଷ୍ଠ ଆସିଛନ୍ତି ?

 

ଭାଣ୍ଡା – ଆଉ କଣ ?

 

ସୌଧା – ମୁଁ ଦେଖିକରି ମନେକଲି, ଗୋଟାଏ ବାଘ ଆସିଛି ପରା !

 

ଭାଣ୍ଡା - କଣ କହିଲ ?

 

ସୌଧା – କଣ କହିଲ ? ସେ ଆସିଲାକ୍ଷଣି କାହିଁକି ଗୋଟାଏ ବାଛୁରୀକି ମଡ଼ମଡ଼ କରି ଚୋବାଇ ପକାଇଲେ?

 

ଭାଣ୍ଡା – ସମାଂସ ମଧୁପର୍କ - ଏହି ବେଦବାକ୍ୟ ପାସୋରିପକାଇଲ କି ? ଶ୍ରେଷ୍ଠ ଅତିଥି ଗୃହକୁ ଆସିଲେ ତାଙ୍କୁ ଧର୍ମଶାସ୍ତ୍ର ଅନୁସାରେ ବାଛୁରି କିମ୍ବା ବୃଷମାଂସ ଅର୍ପଣ କରିବା ବିଧେୟ ।

 

ସୌଧା – ହେ ଭାଣ୍ଡାୟନ ! ମୋତେ ତ ବଡ଼ ପରାସ୍ତ କରିପକାଇଲ ।

 

ଭାଣ୍ଡା – ନା, ତୁମକୁ କିଏ ପରାସ୍ତ କରିବ ?

 

ସୌଧା – ଆଚ୍ଛା, ଏ କଣ ? ବଶିଷ୍ଠ ଆସିଲେ ବୋଲି ବାଛୁରି ମୁଣ୍ଡ ନିପାତ ହୋଇ ସିଦ୍ଧ ହେଲା; ଜନକ ଋଷି ତ ଆସୁଛନ୍ତି, ଗୁରୁ କାହିଁକି ତାଙ୍କୁ ମାଂସ ଅର୍ପଣ ନ କରି କେବଳ ଦଧିମଧୁଦ୍ୱାରା ଅଭ୍ୟର୍ଥନା କଲେ ?

 

ଭାଣ୍ଡା – ଆହେ, ଯେ ମାଂସ ଛାଡ଼ି ଦେଇଛନ୍ତି, ତାଙ୍କ ପାଇଁ ପୃଥକ ବିଧି । ଜନକ ଋଷି ମାଂସ ଛାଡ଼ିଦେଇଛନ୍ତି, ସେଥିପାଇଁ ତାଙ୍କୁ କେବଳ ମଧୁ ଆଉ ଦଧି ଦିଆଗଲା ।

 

ସୌଧା – ସେ କାହିଁକି ମାଂସ ଛାଡ଼ିଦେଲେ ?

 

ଭାଣ୍ଡା – ଜାନକୀଙ୍କର ବନବାସ କଥା ଶୁଣିଲାଦିନୁ ଜନକ ଋଷି ମାଂସାହାର ତ୍ୟାଗ କରି ବନବାସୀ ହୋଇ କେବଳ କନ୍ଦମୂଳ ଫଳ ଆହାର କରି ଚନ୍ଦ୍ରଦ୍ୱୀପ ତପୋବନରେ ବହୁତ ବର୍ଷ ହେଲା ତପସ୍ୟା କରୁଛନ୍ତି ।

 

ସୌଧା – ଆଚ୍ଛା, ଏଠାକୁ କାହିଁକି ଆସିଲେ ?

 

ଭାଣ୍ଡା – ପ୍ରିୟ ମିତ୍ର ବାଲ୍ମୀକି ଗୁରୁଙ୍କୁ ଦେଖିବା ପାଇଁ ଆସିଛନ୍ତି ।

 

ସୌଧା – ତାଙ୍କ ସମୁଦୁଣୀମାନେ ତ ଆଜି ଆମ ଗୁରୁଙ୍କ ଆଶ୍ରମକୁ ଆସିଅଛନ୍ତି, ତାଙ୍କ ସଙ୍ଗେ ଜନକ ଋଷିଙ୍କର ଭେଟ ହେଲାଣିଟି କି ?

 

ଭାଣ୍ଡା – ଏହିକ୍ଷଣି ବଶିଷ୍ଠ ଋଷି କୌଶଲ୍ୟାଙ୍କ ନିକଟକୁ କହି ପଠାଇଛନ୍ତି, ତୁମେ ଆଗେ ଯାଇ ଜନକ ରାଜାଙ୍କ ସଙ୍ଗେ ସାକ୍ଷାତ କର ।

 

ସୌଧା – ଆଜି ତ ବୁଢାବୁଢୀମାନେ ଦେଖାଦେଖି ହୋଇ ଆନନ୍ଦରେ କଥାବାର୍ତ୍ତା କରିବେ; ଆମେ କାହିଁକି ତୁନି ହୋଇ ବସିଥିବା ? ଚାଲ, ସମସ୍ତେ ମିଶି ଖେଳିବା । ଆଜି ତ ପାଠ ବନ୍ଦ ହୋଇଛି ।

 

(ଉଭୟଙ୍କର ପରିକ୍ରମଣ)

 

ଭାଣ୍ଡା – ଏ ସେହି ପୁରାତନ ବ୍ରହ୍ମବାଦ ରାଜର୍ଷି ଜନକ ଯଥାବିଧି ଭକ୍ତି ପ୍ରକାଶ କରି ସମ୍ପ୍ରତି ଆଶ୍ରମର ବର୍ହିଭାଗରେ ବୃକ୍ଷମୂଳର ବସିଛନ୍ତି ।

 

ଅନ୍ତଃସଞ୍ଚାରିତ ଅନଳେ ବନସ୍ପତି ଯେସନ,

ସୀତା- ଶୋକେ ସଦା ରାଜର୍ଷି ହୃହ ତେସନା ।।

 

ଦ୍ୱିତୀୟ ଦୃଶ୍ୟ

(ବୃକ୍ଷମୂଳେ ରାଜର୍ଷି ଜନକ ଅଧିଷ୍ଠିତ)

ଜନକ – ଦୁହିତାର ବନବାସ ଦାରୁଣ ଦୁରିତ

ଘଟିବାର କେତେକାଳ ହେଲାଣି ଅତୀତ,

ତଥାପି , ହୃଦେ ଶୋକ –କ୍ଷତ ନିରନ୍ତର

କରତରେ ଯେହ୍ନେ ମୋର ବିଦାରି ଅନ୍ତର

ତୀବ୍ର ଜ୍ୱାଳା ଉପୁଜାଇ ନବ-ଶୋକ ସମ,

ଏ ଜୀବନେ ଏ ଶୋକର କାହିଁ ଉପଶମ ?

 

ଓଃ, କି କଷ୍ଟ ! ଏକେ ବାର୍ଦ୍ଧକ୍ୟର କ୍ଳେଶ, ତହିରେଁ ପୁଣି ଏ ବିଷମ ସୀତା-ଶୋକ ! ସେଥିଉପରେ ପୁଣି ପରାକଶାନ୍ତପନ ପ୍ରଭୃତି କଠୋର ତପସ୍ୟାର ଉପବାସାଦିଦ୍ୱାରା ଶରୀରର ରସ ଶୁଷ୍କ ହୋଇଯିବାରୁ ଦେହଟା ନିତାନ୍ତ ଅସମର୍ଥ ହୋଇପଡ଼ିଲାଣି! ତଥାପି ଏ ପୋଡ଼ା ପ୍ରାଣ ଯାଉନାହିଁ । ମରଣ ବାଞ୍ଛିବା ମଧ୍ୟ ପାପ । ଋଷିମାନେ କହିଛନ୍ତି ଯେ, ଆତ୍ମଘାତି ଲୋକେ ଘୋର ଅନ୍ଧକାରମୟ ଅସୂର୍ଯ୍ୟ ନାମକ ନରକରେ ପଡ଼ନ୍ତି । ବହୁ ବର୍ଷ ବିତିଗଲେହେଁ ପ୍ରତିକ୍ଷଣ ମନେପଡ଼ୁଥିବା ଯୋଗୁଁ ସର୍ବଦା ନୂତନ ପ୍ରାୟ ଏହି ଦାରୁଣ ଦୁଃଖର ବେଗ ଅଦ୍ୟାପି ଶାନ୍ତ ହେଉ ନାହିଁ । ହା ମା’ ସୀତେ ! ତୁ ପବିତ୍ର ଯଜ୍ଞଭୂମିରୁ ଜନ୍ମଗ୍ରହଣ କଲୁ; ତଥାପି ତୋ ଭାଗ୍ୟରେ ଏଇତା ଘଟିଲା ! ହାୟ, ମୁଁ କି ଳଜ୍ଜାରେ ପଡ଼ିଚି ! ଥରେ ସୁଦ୍ଧା ପାଟି ଫିଟେଇ କାନ୍ଦି ପାରୁନାହିଁ ।

 

ହା ବତ୍ସେ ! ପଡୁଛି ମନେ ଶୈଶବ- କାଳର

ସେ ମୁଖ-କମଳ ତୋର ଆହା କି ସୁନ୍ଦର !

ସେ ଚାରୁ ବଦନେ କୁନ୍ଦ-କଳିକା ପରାଏ

ଅମଳ କୋମଳ ଦନ୍ତ କିବା ଶୋଭାପାଏ !

ଆବର ପଡ଼ଇ ମନେ କିବା ମନୋହର

ସେ ଦରୋଟି ଅସଂଲଗ୍ନ ବଚନ ତୋହର ।

ଭଗବତି ବସୁନ୍ଧରେ ! ତୁମ ହୃଦୟ କି ନିଦାରୁଣ !

ଅଗ୍ନି, ଗଙ୍ଗା ,ମୁନିଗଣ ବଶିଷ୍ଠଘରଣୀ,

ପୁଣି ରଘୁକୁଳ – ଗୁରୁ ଦେବ ଦିନମଣି!

ସୀତାର ମାହାତ୍ମ୍ୟ ତୁମ୍ଭେ ଜାର ହେ ସରବେ,

ସେ ଚରିତ୍ର-ପଟାନ୍ତର କାହିଁ ଏହି ଭବେ ?

ତୁମ୍ଭେ ପ୍ରସବିଲ ଯାକୁ ଦେବି ବସୁମତି,

ବିଦ୍ୟା ପ୍ରସବନ୍ତି ଯଥା ଦେବୀ ସରସ୍ୱତୀ,

ସେହି ତନୟାର ଏହି ଦାରୁଣପ ଦୁର୍ଗତି

କେମନ୍ତେ ସହିଛ ବିଶ୍ୱମ୍ଭରେ ଭଗବତି ?

 

(ନେପଥ୍ୟେ -) ଏଇବାଟେ ଆସନ୍ତୁ ଭଗବତି, ଏଇବାଟେ ଆସନ୍ତୁ ମହାଦେବି !

 

ଜନକ – (ଅନାଇଁ) କଞ୍ଚୁକୀ ବାଟ ଦେଖେଇ ଦେଉଚି ଯାହାଙ୍କୁ, ସେ ଭଗବତି ଅରୁନ୍ଧତୀ ହେବେ ପରା (ଛିଡ଼ା ହୋଇ) କଞ୍ଚୁକୀ ମହାଦେବୀ ବୋଲି କାହାକୁ ସମ୍ବୋଧନ କରୁଚି ? (ଭଲରୁପେ ଦେଖି) ଆହା ! ଏ ତ ମହାରାଜ ଦଶରଥଙ୍କର ଧର୍ମପତ୍ନୀ, ମୋର ପ୍ରିୟସଖୀ କୌଶଲ୍ୟା । ଏ ଯେ ସେହି କୌଶଲ୍ୟା, ହାୟ, କିଏ ତାହା ବିଶ୍ୱାସ କରିବ ?

 

ଲକ୍ଷ୍ମୀସମା ରାମ-ମାତା

ଥିଲେ ଆହା ଦଶରଥ ଘରେ

ଉପମା କାହିଁକି ଅବା,

ଥିଲେ ସେ ତ ଲକ୍ଷ୍ମୀ ସାକ୍ଷାତକାର ।

କିନ୍ତୁ ଆହା ଦୈବବଶେ

କାହିଁ ଗଲା ସେହି ପୂର୍ବ ଶିରୀ,

କି ଦୁଃଖ ଘୋଟିଲା ଆସି

ଦୈବର କି ମାୟା ଭୟଙ୍କରୀ ।

ନୟନର ମୂର୍ତ୍ତିମନ୍ତ

ମହୋତ୍ସବ ଥିଲେ ଯେଉଁ ଜନ,

ଏବେ କ୍ଷତେ କ୍ଷାର ପ୍ରାୟେ

କି ଦୁଃସହ ତାଙ୍କ ଦରଶନ !

 

(ଅନନ୍ତର ଅରୁନ୍ଧତୀ, କୌଶଲ୍ୟା ଓ କଞ୍ଚୁକୀର ପ୍ରବେଶ)

 

ଅରୁନ୍ଧତୀ – ମହାଦେବୀ କୌଶଲ୍ୟେ, କୁଳଗୁରୁଙ୍କର ଆଦେଶ ଯେ, ଆପଣ ନିଜେ ଯାଇ ଜନକଙ୍କ ସଙ୍ଗେ ସାକ୍ଷାତ କରିବେ । ସେଇଥି ପାଇଁ ମତେ ଆପଣଙ୍କ ନିକଟକୁ ପଠେଇଲେ । ଚାଲନ୍ତୁ, କାହିଁକି ଏତେ ସଙ୍କୁଚିତ ହଉଚନ୍ତି ?

 

କଞ୍ଚୁକୀ – ମହାଦେବି ! ଏବେ ପାଳନ କରନ୍ତୁ, ଏଇ ମୋର ନିବେଦନ ।

କୌଶଲ୍ୟା – ଏ ଦୁଃସମୟରେ ମିଥିଳାନାଥଙ୍କୁ ଭେଟିବାକୁ ହେବ, ଏ କଥା ମନେପଡ଼ିଲା- ବେଳକୁ ସବୁ ଦୁଃଖଯାକ ଏ ପ୍ରାଣକୁ ଘାଣ୍ଟି ପକାଉଚି । ମୁଁ ତ କୌଣସି ପ୍ରକାରେ ମନକୁ ସମ୍ଭାଳି ପାରୁନାହିଁ ।

 

ଅରୁନ୍ଧତୀ – ଏଥିରେ ସନ୍ଦେହ କ’ଣ ?

ମିତ୍ରର ବିଚ୍ଛେଦୁଁ ଯେଉଁ ଶୋକ ଉପୁଜଇ,

ଧାରାରୁପେ ହୃଦୟରେ ସନ୍ତତ ବହଇ ।

ସହସ୍ର ଧାରାରେ ଯେହ୍ନେ ତାହା ଅସମ୍ଭାଳେ

ଉଛୁଳି ପଡ଼ଇ ମିତ୍ର-ଦରଶନ-କାଳେ ।

 

କୌଶଲ୍ୟା- ମା’ ଜାନକୀଙ୍କର ଏପରି ଦୁର୍ଦ୍ଦଶା ! ମୁଁ କିପରି ରାଜର୍ଷିଙ୍କୁ ମୁହଁ ଦେଖାଇବି?

 

 

ଅରୁ – ଏଇ ସେ ସମ୍ବନ୍ଧୀ ତବ

ପୁଣ୍ୟାଶ୍ଳୋକ ଜନକ ନୃମଣି,

ଯାହାଙ୍କୁ ସମଗ୍ର ବେଦ

ଶିଖାଇଲେ ଯାଜ୍ଞ୍ୟବଲ୍‌କ୍ୟ ମୁନି ।

 

କୌ –       ବୋହୁଙ୍କର ପିତା ଏଇ ତ ସେ ରାଜର୍ଷି, ଯାହାଙ୍କୁ ଦେଖିଲେ ମହାରାଜାଙ୍କ ହୃଦୟ ଆନନ୍ଦରେ ପୂରିସ ଯାଉଥିଲା । ଉତ୍ସବ-ଆନନ୍ଦରେ ଏଇ ରାଜର୍ଷି ମତେ କେତେ ସମ୍ମାନ କରି – ନାହାନ୍ତି ? ହାୟ ହାୟ ! ଏବେ ଆଉ ସେ ସବୁ କିଛି ନାହିଁ ।

 

ଜନକ –       (ଅଗ୍ରସର ହୋଇ ) ଭଗପତି ଅରୁନ୍ଧତି ! ସୀରଧ୍ୱଜ ଜନକର ପ୍ରଣାମ ଗ୍ରହଣ କରନ୍ତୁ ।

 

ଗୁରୁ ମଧ୍ୟେ ଶ୍ରେଷ୍ଠତମ ପତି ତବ, ପାବନ – ଚରିତ୍ର,

ଯାହାଙ୍କର ପୁଣ୍ୟଯୋଗୁଁ ଆପଣାକୁ ମଣନ୍ତି ପବିତ୍ର,

ସେହି ତୁମ୍ଭେ ବିଶ୍ୱନ୍ଦ୍ୟା ତ୍ରିଭୁବନ – ମଙ୍ଗଳକାରିଣୀ

ପୁଣ୍ୟମୟୀ ଉଷା ସମ ସର୍ବପାପ-ତିମିରହାରିଣୀ ।

ଭୂତଳ-ଲୁଣ୍ଠିତ ଶିରେ ବନ୍ଦଇ ମୁଁ ଚରଣ- କମଳ

ସେପଦ–ଦର୍ଶନେ ଆଜି , ଜୀବନ ହୋଇଲା ସଫଳ ।

 

ଅରୁ –       ଆପଣଙ୍କ ହୃଦୟରେ ପରମଜ୍ୟୋତି ପ୍ରକାଶିତ ହୁଅନ୍ତୁ ! ରଜୋଗୁଣର ଅତୀତ ସେହି ଦେବତା ଆପଣଙ୍କୁ ପବିତ୍ର କରନ୍ତୁ।

 

ଜନକ –       (କଞ୍ଚୁକୀ ପ୍ରତି) ହେ କଞ୍ଚୁକୀ ! ପ୍ରଜା – ପାଳକ ନରପତିଙ୍କର ଏଇ ଜନନୀ ଦେବୀ ଭଲ ଅଛନ୍ତି ତ ।

 

କଞ୍ଚୁକୀ-       (ସ୍ୱଗତ) ପ୍ରଜାପାଳକ ନରପତିଙ୍କର ଜନନୀ – ଏକଥା ତ ଆମ୍ଭେମାନଙ୍କ ପ୍ରତି କଠୋର ଭର୍ତ୍ସନା। (ପ୍ରକାଶ୍ୟେ) ରାଜର୍ଷି ମହୋଦୟ ! ଏକେ ସେହି ଦାରୁଣ ଦୁଃଖରେ ମହାଦେବୀ ରାମଭଦ୍ରଙ୍କର ମଧ୍ୟ ଏହା ଘୋର ଦୈବଦୁର୍ବିପାକ ବୋଲିବାକୁ ହେବ । ନୀଚାଶ୍ରୟ ଲୋକେ ଅଗ୍ନି ପରୀକ୍ଷାକୁ ସୁଦ୍ଧା ବିଶ୍ୱାସ ନ କରି ଚାରିଆଡ଼େ କୁତ୍ସିତ ନିନ୍ଦା ଘୋଷିବୁଲିଲେ । ତେଣୁ ସେହି ନିଦାରୁଣ କର୍ମ ଅନୁଷ୍ଠିତ ହେଲା ।

 

ଜ –       ଆଃ ! ଅଗ୍ନିର କି କ୍ଷମତା ଯେ, ସେ ଆମ୍ଭର କନ୍ୟାକୁ ଶୁଦ୍ଧ କରିବେ ? ଲୋକଙ୍କ କଥାରେ ତ ରାମ ଥରେ ଆମ୍ଭମାନଙ୍କୁ ଅପମାନ କରିଥିଲେ ? ହାୟ ! କି କଷ୍ଟ ! ପୁଣି ଅବମାନିତ ହେଲୁଁ ।

 

ଅରୁ- (ଦୀର୍ଘ ନିଃଶ୍ୱାସ ତ୍ୟାଗ କରି) ହଁ, ସତ୍ୟକଥା, ପତିବ୍ରତା ସମ୍ବନ୍ଧରେ ଅଗ୍ନି ସହିତ ବତ୍ସାଙ୍କୁ ତୁଳିଲେ, ଅଗ୍ନି ନିତାନ୍ତ ଲଘୁ ହୋଇ ପଡ଼ିବେ । ‘ସୀତା’ ଏଇ ପଦହିଁ ଯଥେଷ୍ଟ । ହା ବତ୍ସେ!

 

ଶିଶୁ ଅବା ଶିଷ୍ୟା ଅବା ଯାହା ତୁମ୍ଭେ ଅଟ,

ତୁମ୍ଭଠାରେ ବିଶୁଦ୍ଧିରେ ଉତ୍କର୍ଷ ପ୍ରକଟ ।

ତୁମ୍ଭ ପ୍ରତି ତେଣୁ ମୋର ପ୍ରଗାଢ଼ ଭକତି,

ବିଶ୍ୱବନ୍ଦନୀୟା ତୁମ୍ଭେ ଅଟ ସୀତା ସତୀ ।

ଗୁଣୀଜନେ ଗୁଣକୁ ହିଁ କରନ୍ତି ସମ୍ମାନ,

ବୟସ ବା ଲିଙ୍ଗଭେଦ ନୁହେ ପୂଜାସ୍ଥାନ ।

 

କୌ – ମା ଗୋ, କି ଅସହ୍ୟ ବେଦନା !                               (ମୂର୍ଚ୍ଛା)

 

ଜ- ହାୟ ହାୟ ! ଏ କଣ ହେଲା !

 

ଅରୁ –

ହେ ରାଜର୍ଷି, ଆହା ଆଜି ତବ ଦରଶନେ

ପୂରୁବର ସବୁ କଥା ପଡ଼ୁଅଛି ମନେ ।

ସେ ରାଜା, ସେ ଶିଶୁଜନ, ସେ ସୁଖ-ଦିବସ,

ଦୁଇ ରାଜ-ବଂଶର ସେ ସୁଧା-ପ୍ରୀତି-ରସ,

ଏ ସବୁ ସୁମରି, ଭାଳି ଏ ଘୋର ଦୁର୍ଗତି

ନିଦାରୁଣ ଶୋକେ ଏବେ ମୂର୍ଚ୍ଛାଗତା ସତୀ ।

ପୁରନ୍ଧ୍ରୀ ହୃଦୟ ସ୍ନେହ-ରସର ଆଧାର,

କୁସୁମ ପରାଏ ଅଟେ ଅତି ସୁକୁମାର ।

 

ଜ –       ଓଃ ! ମୁଁ କି ନିଷ୍ଠୁର ! ଆଜି କେତେକାଳ ପରେ ମୋ ଭାଗ୍ୟରେ ପ୍ରିୟବନ୍ଧୁଙ୍କ ପ୍ରିୟପତ୍ନିଙ୍କ ଦର୍ଶନ ଘଟିଲା; ତଥାପି ମୁଁ ତାଙ୍କୁ ସ୍ନେହଦୃଷ୍ଟିରେ ଦେଖିଲି ନାହିଁ !

 

ପ୍ରାଣର ସେ ଶ୍ଳାଘ୍ୟ ସମ୍ବନ୍ଧୀ ମୋହର,

ପ୍ରିୟ ସୁହୃଦ ସେ ହୃଦୟ-ଦୋସର,

ସେ ମୋର ଆନନ୍ଦ ଜୀବନ ମୋହର

ସେ ମୋହର ଆତ୍ମା ଅବା କଳେବର,

ଅବା ଯଦି କିଛି ଥାଏ ପ୍ରିୟତର

ସବୁ ସେ ମୋହରି ଥିଲେ ନୃପବର

ଦଶରଥ ସର୍ବ-ସୌଭାଗ୍ୟ ଆକାର ।

 

ହାୟ ! ଏଇ ସେ କୌଶଲ୍ୟା !

 

ଏହାଙ୍କର ଅବା             ପତିଙ୍କର ଦୋଷୁ

ଘଟିଲେ ଗୁପ୍ତ କଳହ,

ପରସ୍ପର ଦୋଷ             ଜଣାଇବା ସ୍ଥଳ

ଥିଲି ମୁହିଁ ଅହରହ ।

ପରସ୍ପର ରୋଷ             ଶାନ୍ତି କରିବାରେ

ଥିଲା ମୋର କି ଶକତି,

କି ହେବ ସୁମରି             ସେ ସବୁ ବୃତ୍ତାନ୍ତ

ହୃଦ କରୁଛି କରତି ।

 

ଅରୁ – ହାୟ ହାୟ ! ଅନେକ ବେଳୁଁ ସେ ୟାଙ୍କ ନିଃଶ୍ୱାସ ଚଳୁନାହିଁ, କି ବିଷମ କଥା !

 

ଜ- ହା ପ୍ରିୟ ସଖି ! (କମଣ୍ଡଳୁ ଜଳଦ୍ୱାରା ସିଞ୍ଚନ)

 

କଞ୍ଚୁକୀ -       ପହିଲେ ସୁହୃଦ ପରି ଘଟାଇଲା ବିଧି,

ଅନୂକୁଳ ସୌଭାଗ୍ୟର ସୁଖମୟ ସିଦ୍ଧି ।

କିନ୍ତୁ ରେ ସହସା ପୁଣି ଏ କି ବିପର୍ଯ୍ୟୟ,

ସେ ବିଧି ଦାରୁଣ ଦୁଃଖେ ଦହଇ ହୃଦଇ ।

 

କୌ –       (ସଂଜ୍ଞା ଲାଭକରି) ହା ବତ୍ସେ ଜାନକି ! କାହିଁ ଗଲ ? ବିବାହ ସମୟର ତୁମର ସେହି ମୁଖଶ୍ରୀ ମନେପଡ଼ୁଛି । ସେ ସୁନ୍ଦର ମୁଖକମଳର କି ଶୁଭ୍ର ମନୋହର ହାସ୍ୟ, କାର୍ତ୍ତିକ-ଚନ୍ଦ୍ରମାର ଜ୍ୟୋସ୍ନାପରି ସୁକାନ୍ତ ସୁକୋମଳ ଅଙ୍ଗଗୁଡ଼ିକ । ବତ୍ସେ ! ଆଉ ଥରେ ମୋ କ୍ରୋଡ଼କୁ ଅଳଙ୍କୃତ କର। ମହାରାଜ ସବୁବେଳେ କହୁଥିଲେ, ଏ ରଘୁକୁଳ ମହାପୁରୁଷମାନଙ୍କର ବଧୂ; ପୁଣି ଜନକଙ୍କ ସମ୍ବନ୍ଧରେ ଆମର କନ୍ୟା ।

 

କଞ୍ଚୁକୀ – ଦେବୀ ଯଥାର୍ଥ କହିଲେ ।

 

ରାଜାଙ୍କର ପାଞ୍ଚ             ସନ୍ତାନ ମଧ୍ୟରେ

ରାମ ଥିଲେ ପ୍ରିୟତମ,

କନ୍ୟା ଶାନ୍ତା ଯଥା             ଚାରିବଧୂ ମଧ୍ୟେ

ଥିଲେ ଜାନକୀ ତେସନ ।

 

ଜ – ମହାରାଜ ଦଶରଥ ! ତୁମେ ସର୍ବପ୍ରକାରେ ମୋ ହୃଦୟ ଅଧିକାର କରିଥିଲ । ତୁମକୁ କିପରି ପାସୋରିବି?

 

କନ୍ୟାର ପିଅର             ଜାମାତୃ-ସ୍ୱଜନେ

ପୂଜଇ, ଏ ସିନା ପ୍ରଥା,

ପୂଜୁଥିଲୁ ମୋତେ        କେତେ ଉପଚାରେ

ବିପରୀତ ତବ କଥା ।

ହରିଲା ତୁମ୍ଭଙ୍କୁ             ନିଦାରୁଣ କାଳ

ଛେଦିଲା ସମ୍ବନ୍ଧ- ମୂଳ,

ଏ ଘୋର ସଂସାରେ ନରକେ ଏ ଦଗ୍‌ଧ

ପ୍ରାଣ ହେଉଛି ବିକଳ ।

 

କୌ – ବତ୍ସେ ଜାନକି ! ମୁଁ ଏବେ କଣ କରିବି ? ମୋର ଏ ବ୍ରଜ-କଠିନ ପ୍ରାଣ ତ ଯାଉ ନାହିଁ ।

 

ଅରୁ – ମହାଦେବି ! ଆଶ୍ୱସ୍ତ ହୁଅ, ଏପରି ବ୍ୟାକୁଳ ହୁଅ ନା । ଋଷ୍ୟଶୃଙ୍ଗ ଆଶ୍ରମରେ ତୁମ୍ଭ କୁଳଗୁରୁ କଣ କହିଥିଲେ, ମନେ ହେଉ ନାହିଁ ? ସେଇ କଥା ତ ଘଟୁଚି; ଏଣିକି ମଙ୍ଗଳ ହେବ ।

 

କୌ – ଭଗବତି ! ମୋର ସବୁ ଆଶା-ଭରଷା ସରିଗଲାଣି ।

 

ଅରୁ –       ରାଜପୁତ୍ରି ! ତୁମେ କି ତାଙ୍କ କଥାକୁ ମିଛ ମଣୁଚ ? ସେ କଥାକୁ ଅନ୍ୟଥା ମଣ ନାହିଁ, ତା ନିଶ୍ଚେ ଘଟିବ ।

 

ବ୍ରହ୍ମ-ଜ୍ୟୋତି-ଆବିର୍ଭାବେ ଉଦ୍ଭାସିତ-ଚିତ୍ତ

ଋଷିଙ୍କ ବଚନେ ଦ୍ୱିଧା ନୁହଇ ଉଚିତ;

ସେ ବଚନେ ଦ୍ୱିଧା ନୁହଇ ଉଚିତ;

ସେ ବଚନେ ପ୍ରତିଷ୍ଠିତ ପବିତ୍ର ମଙ୍ଗଳ,

ବଚନ ତାଙ୍କର କେଭେ ନୁହଇ ନିଷ୍ଫଳ ।

(ନେପଥ୍ୟ କୋଳାହଳ); କୋଳାହଳ ଆଡ଼କୁ

ସମସ୍ତଙ୍କ କର୍ଣ୍ଣପାତ

 

ଜ-       ବୋଧହୁଏ, ଆଜି ଅତିଥିଙ୍କ ଆଗମନ ଯୋଗୁଁ ଅନଧ୍ୟାୟ ହୋଇଥିବାରୁ ଶିଷ୍ୟମାନେ ଆନନ୍ଦରେ ଖେଳୁଛନ୍ତି । ଏ ସେଇମାନଙ୍କ କୋଳାହଳ ।

 

କୌ –       ଆହା, ବାଲ୍ୟ କି ସୁଖର କାଳ ! ଆହା, ଏ ବାଳକମାନଙ୍କ ମଧ୍ୟରେ ମୋ ରାମଭଦ୍ର ପରି ଦିଶୁଛି, ଏଇଟି କିଏ ? ଏହାର ସବଳ ସୁନ୍ଦର ଅଙ୍ଗଗୁଡ଼ିକ ମୋ ଚକ୍ଷୁକୁ ସୁଦ୍ଧା ଶୀତଳ କରୁଚି ।

 

ଅରୁ –       (ଏକ ଆଡ଼କୁ ମୁଖ ଫେରାଇ ଆନନ୍ଦ-ଗଦ୍‌ଗଦ ଭାବରେ) ଭାଗୀରଥି ଦେବୀ ଅମୃତତୁଲ୍ୟ ଯେଉଁ ଗୁପ୍ତ ସନ୍ଦେଶ କହିଥିଲେ, ଏ ସେଇତା ହେବ । କିନ୍ତୁ ଆୟୁଷ୍ମନ୍ତ କୁଶ ଲବ ଦୁହିଁଙ୍କ ମଧ୍ୟରୁ ଏଇଟି କିଏ, ଜଣାପଡ଼ୁନାହିଁ ।

 

ଜ-       କୁବଳୟ –ଦଳ        ପ୍ରାୟେ ସ୍ନିଗ୍‌ଧକାନ୍ତି

ଶିଖଣ୍ଡେ ମଣ୍ଡିତ ଶିର,

ଏ ବଟୁ ସମାଜେ        ପୁଣ୍ୟଶ୍ରୀ-ଶୋଭିତ

କିଏ ଏହି ବାଳବୀର !

ଶିଶୁରୂପ ଧରି             ପୁଣି ବା ଆଗତ

ବତ୍ସ ଶ୍ରୀରଘୁନନ୍ଦନ !

ଦେଖିଲା ମାତ୍ରକେ             ସୁଧାଞ୍ଜନ ପ୍ରାୟେ

ମୁଗ୍‌ଧ କରେ ପ୍ରାଣ-ମନ ।

 

କଞ୍ଚୁକୀ – ବୋଧହୁଏ ଏହି ବାଳକଟି କ୍ଷତ୍ରିୟ ବ୍ରହ୍ମଚାରୀ ।

 

ଜ- ଠିକ୍‌ ଠିକ୍‌ !

ବେନିପାଶେ ପୃଷ୍ଠଦେଶ ଶୋଭଇ ତୂଣୀରେ

ଶରପୁଙ୍ଖେ ଯାର ଚୁମ୍ବେ କେଶ-ଶିଖା ଶିରେ,

ଭସ୍ମଲିପ୍ତ ବକ୍ଷ ଉରୁ-ଚର୍ମେ ଆଚ୍ଛାଦିତ,

ଭିଡ଼ା କଟିସୂତ୍ରେ ବସ୍ତ୍ର ମଞ୍ଜିଷ୍ଠା-ରଞ୍ଜିତ,

ଏକ ହସ୍ତେ ଧନୁ, ଆନେ ଦଣ୍ଡ ପିପ୍‌ପଳର,

ରୁଦ୍ରାକ୍ଷ ମାଳାର ବଳା ମଣ୍ଡେ ଦୁଇ କର !

 

ଭଗବତି ଅରୁନ୍ଧତି ! ଆପଣଙ୍କର ଅନୁମାନରେ ଏ ବାଳକଟି କାହାରୁ ?

 

ଅରୁ – ଆମେ ତ ଆଜି ଆସିଚୁ ।

 

ଜ-       ଆହେ କଞ୍ଚୁକୀ ! ଏ ବାଳକକୁ ଦେଖି ମୋର ବଡ଼ କୌତୁହଳ ହଉଚି, ଥରେ ଭଗବାନ୍ ବାଲ୍ମୀକି ମୁନିଙ୍କି ପୁଚାରି ଆସ, ଆଉ ଏ ବାଳକକୁ ମଧ୍ୟ କହ, ବୃଦ୍ଧ ଅତିଥିମାନେ ତୁମକୁ ଦେଖିବାକୁ ଇଚ୍ଛୁକ ।

 

କଞ୍ଚୁକୀ – ଯେ ଆଜ୍ଞା ।

 

କୌ –       ସେପରି କହିଲେ ସେ ଆସିବ କି ?

 

ଅରୁ – ଏପରି ଯାହାର ଆକାର, ତାର ଆଚରଣ କି ଅଭଦ୍ର ହେବ ?

 

କୌ – (ଅନାଇ) ଦେଖ, ବାଳକଟି କଞ୍ଚୁକୀ-ବାକ୍ୟ ବିନୀତ ଭାବରେ ଶୁଣି ଋଷି-ବାଳକଙ୍କ ସଙ୍ଗ ଛାଡ଼ି ଏଇ ଆଡ଼କୁ ଆସୁଚି ।

 

ଜ- (ଅନେକ କ୍ଷଣି ତେଣିକି ଅନାଇଁ)

 

ଆହା କି ମନୋଜ୍ଞ             ମହିମା ରାଜଇ

ଏ ଶିଶୁର ଆଚରଣେ,

କି ସ୍ନିଗ୍‌ଧ ବିନୟ        କି ମୁଗ୍‌ଧ ସାରଲ୍ୟ

ପ୍ରକାଶିତ ତା ଆନନେ !

କ୍ଷୁଦ୍ର ଅୟସ୍କାନ୍ତ-        ଖଣ୍ଡ ଲୌହ-ପିଣ୍ଡେ

କରେ ଯଥା ଆକର୍ଷଣ,

ଏ କ୍ଷୁଦ୍ର ବାଳକ-             ଦର୍ଶନେ ଆନନ୍ଦ

ହରୁଛି ମୋହର ମନା –

 

ଲବ –       (ମନେ ମନେ) ଏମାନେ ସମସ୍ତ ପୁଜ୍ୟ ହେଲେହେଁ ମୁଁ ଏମାନଙ୍କୁ ନାମ-କ୍ରମ କୁଳମର୍ଯ୍ୟାଦା କିଛି ହିଁ ଜାଣେ ନାହିଁ । ଏମାନଙ୍କୁ କେଉଁ ରୀତିରେ ଅଭିବାଦନ କରିବି ? (କ୍ଷଣେ ବିଚାରି) ହଉ, ପ୍ରାଚୀନମାନେ ଯେପରି ଉପଦେଶ ଦେଇଚନ୍ତି, ସେହିପରି କରେ । (ନିକଟକୁ ଯାଇ ବିନୟରେ) ମୁଁ ଆପଣମାନଙ୍କୁ ଯଥାକ୍ରମେ ପ୍ରଣାମ କରୁଚି ।

 

ଅରୁ ଓ ଜନକ – ବତ୍ସ ! ଦୀର୍ଘାୟୁ ହୁଅ ।

 

କୌ – ବତ୍ସ ! ଚିରଜୀବୀ ହୁଅ ।

 

ଅରୁ –       ଆସ ବାବୁ । (ଲବକୁ କୋଳରେ ଘେନି ମନେ ମନେ) ମୋ କୋଳ ପୂର୍ଣ୍ଣ ହୋଇଗଲା, ବହୁକାଳର ମନୋରଥ ମଧ୍ୟ ପୂର୍ଣ୍ଣ ହେଲା ।

 

କୌ –       ବତ୍ସ ! ଥରେ ମୋ ପାଖକୁ ଆସ । (କୋଳରେ ଘେନି) ଆହା, କି ଆଶ୍ଚର୍ଯ୍ୟ ! ରାମର ଦେହକାନ୍ତି, ନିଳୋତ୍ପଳ ପରି ସ୍ନିଗ୍‌ଧଶ୍ୟାମଳ, ପଦ୍ମ-କେଶର-ଭକ୍ଷଣରେ ଆହ୍ଲାଦିତ କଳହଂସର ସ୍ୱର ପରି ଦୀର୍ଘ, ଦେହର ସ୍ପର୍ଶ ମଧ୍ୟ ପଦ୍ମଗର୍ଭ ପରି କୋମଳ । ବତ୍ସ ! ମୁଖ-ପଦ୍ମ ଥରେ ଭଲ କରି ଦେଖେଁ । (ଚିବୁକକୁ ଟେକି ସହର୍ଷେ ଓ ସାଶ୍ରୁନୟନରେ) ରାଜର୍ଷି, ଆପଣ ଭଲକରି ଦେଖନ୍ତୁ । ଏହାର ମୁଖରେ ମା’ ଜାନକୀଙ୍କ ମୁଖଚନ୍ଦ୍ରର ଛଟା ଦିଶୁଚି ।

 

ଜ – (ସ୍ୱଗତ) ବତ୍ସା ଜାନକୀର       ତଥା ଶ୍ରୀରାମଙ୍କ

ସେ ଆକୃତି ସେହି କାନ୍ତି,

ଏହି ଶିଶୁଠାରେ             ସମ୍ପୂର୍ଣ୍ଣ ବିମ୍ବିତ,

ନାହିଁ ଏଥି କିଛି ଭ୍ରାନ୍ତି ।

ସେହି କଣ୍ଠସ୍ୱର             ସେହି ସୁବିନିମୟ

ପୁଣ୍ୟ ଅନୁଭାବ ସେହି,

କିନ୍ତୁ ଆରେ ମନ,             କାହିଁକି ଦୁରାଶା-

ପଥରେ ଭ୍ରମୁଛୁ ତୁହି ?

 

କୌ – ତୁମର ମା’ ଅଛନ୍ତି କି ? ତୁମର ପିତାଙ୍କ ବିଷୟ କିଛି ଜାଣ ?

 

ଲବ – ନା ନା ।

 

କୌ – ତୁମେ ତେବେ କାହାର ?

 

ଲବ – ଭଗବାନ୍‌ ବାଲ୍ମୀକିଙ୍କର ।

 

କୌ – ମୁଁ ଯା ପଚାରିଲି, ତାର ଠିକ୍‌ ଉତ୍ତର ଦିଅ ।

 

ଲବ –      ମୁଁ ଏତିକି ଜାଣେ, ଆଉ କିଛି ଜାଣେ ନାହିଁ ।

(ନେପଥ୍ୟ-) ଆହେ ସୈନିକମାନେ, ଚନ୍ଦ୍ରକେତୁ ଆଜ୍ଞା କରୁଚନ୍ତି, କେହି ଆଶ୍ରମର ସନ୍ନିହିତ ଭୂମିରେ ପାଦ ଦେବେ ନାହିଁ ।

 

ଅରୁ ଓ ଜନକ –       କୁମାର ଚନ୍ଦ୍ରକେତୁ ମେଧ-ଅଶ୍ୱରକ୍ଷା ନିମନ୍ତେ ଏଠାକୁ ଆସିଚନ୍ତି, ତାଙ୍କୁ ତେବେ ଦେଖିବାକୁ ପାଇବା, ଆହା ! ଆଜି ତେବେ କି ସୁଦିବସ !

 

କୌ –       ବତ୍ସ ଲକ୍ଷ୍ମଣର ପୁତ୍ର ଆଜ୍ଞା କରୁଚନ୍ତି, ଏ କଥା ଗୁଡ଼ିକ ଅମୃତ ପରି କି ମଧୁର ଲାଗୁଚି !

 

ଲବ –       ଆର୍ଯ୍ୟ ! ଚନ୍ଦ୍ରକେତୁ ବୋଲି ଯାହାକୁ କହୁଚନ୍ତି, ସେ କିଏ ?

 

ଜ- ଦଶରଥଙ୍କ ପୁତ୍ର ରାମ ଓ ଲକ୍ଷ୍ମଣଙ୍କ କଥା କିଛି ଜାଣ କି ?

 

ଲବ – ଯାହାଙ୍କ କଥା ରାମାୟଣରେ ଅଛି ?

 

ଜ- ହଁ, ସେହି ଲକ୍ଷ୍ମଣଙ୍କ ପୁତ୍ର ଚନ୍ଦ୍ରକେତୁ ।

 

ଲବ- ତେବେ ଚନ୍ଦ୍ରକେତୁ ଉର୍ମିଳାଙ୍କ ପୁତ୍ର ମିଥିଳାଧିପତି ରାଜର୍ଷିଙ୍କର ଦୌହିତ୍ର ।

 

ଅରୁ – ବତ୍ସ ତ ଏସବୁ କଥା ବେଶ୍‌ ଜାଣେ ।

 

ଜ- (ଟିକିଏ ଭାବି) ତୁମେ ଯଦି ଏତେ କଥା ଜାଣ, କହ ଦେଖି, ଦଶରଥଙ୍କର ପୁତ୍ରମାନଙ୍କର କାହାର କେତୋଟି ପୁତ୍ର ।

 

ଲବ – ସେ କଥା ମୁଁ ଶୁଣିନାହିଁ, ଅନ୍ୟ କେହି ମଧ୍ୟ ଶୁଣିନାହାନ୍ତି ।

 

ଜ- କବି କଣ ସେ କଥା ଲେଖିନାହାନ୍ତି ?

 

ଲବ – ହଁ ଲେଖିଛନ୍ତି; କିନ୍ତୁ ପ୍ରକାଶ କରିନାହାନ୍ତି । ସେ କଥାରୁ ଗୋଟିଏ ସରସ ନାଟକ ରଚନାକରି ତାକୁ ନିଜ ହସ୍ତରେ ଉତାରି ନାଟ୍ୟଶାସ୍ତ୍ରଗୁରୁ ଭରତ ମୁନିଙ୍କି ଦେଇଚନ୍ତି।

 

ଜ- ତାଙ୍କୁ କାହିଁକି ଦେଇଛନ୍ତି ?

 

ଲବ – ଭରତ ମୁନି ତାହାକୁ ଅପ୍‌ସରାମାନଙ୍କଦ୍ୱାରା ଅଭିନୟ କରାଇବେ ବୋଲି ।

 

ଜ- ଏସବୁ କଥାରେ ଆମର ବଡ଼ କୌତୁକ ହଉଚି ।

 

ଲବ – ଏ ବିଷୟରେ ଗୁରୁଦେବଙ୍କ ଭାରୀ ଯତ୍ନ । କେତେଗୁଡ଼ିଏ ଶିଷ୍ୟଙ୍କ ହସ୍ତରେ ସେ ପୋଥିକୁ ଭରତାଶ୍ରମକୁ ପଠାଇଚନ୍ତି। ବାଟରେ ତାହାର ସୁରକ୍ଷା ଲାଗି ମୋର ଭାଇ ହାତରେ ଧନୁ ଧରି ଯାଇଚନ୍ତି ।

 

କୌ- ବତ୍ସ ! ତୁମ୍ଭର ଭାଇ ବି ଅଛନ୍ତି ?

 

ଲବ – ଅଛନ୍ତି, ତାଙ୍କ ନାମ କୁଶ ।

 

କୌ – ସେ କଣ ତୁମର ବଡ଼ ଭାଇ ?

 

ଲବ – ଆଗେ ଜନ୍ମ ହେବାରୁ ସେ ବଡ଼ ।

 

ଜ – ତୁମେ ଦୁଇ ଭାଇ କଣ ଯାଆଁଳା ?

 

ଲବ – ଆଜ୍ଞା ହଁ ।

 

ଜ – ଆଚ୍ଛା, ରାମ-ଚରିତ-କଥା କେତେଦୂର ପର୍ଯ୍ୟନ୍ତ ଶିଖିଚ ?

 

ଲବ- ମିଥା ପ୍ରବାଦଯୋଗୁଁ ରାମ ଉଦ୍‌ବିଗ୍ନ ହୋଇ ସିତା ଦେବୀଙ୍କୁ ନିର୍ବାସିତ କରନ୍ତେ, ଲକ୍ଷ୍ମଣ ଆସନ୍ନା-ପ୍ରସବା ସୀତାଙ୍କୁ ବନରେ ଏକାକୀ ଛାଡ଼ିଦେଇ ଲେଉଟି ଆସିଲେ, ଏଇ ପର୍ଯ୍ୟନ୍ତ ।

 

କୌ – ହା ବତ୍ସେ ଜାନକି ! ହା ଚାରୁଚନ୍ଦ୍ରବଦନେ ! ଘୋର ବନରେ କୋଉଠେଇଁ ଏକାକିନୀ ରହିଲ? ହାୟ ହାୟ ! ସେ କୁସୁମ-ସୁକୁମାର ଦେହର କି ଦଶା ହୋଇଥିବ !

 

ଜ-       ହା ବତ୍ସେ ! ସହିଣ ସେହି ଘୋର ଅପମାନ,

ପ୍ରସବ-ବ୍ୟଥାରେ ଯେତେବେଳେ ତୋ ପରାଣ

ହୋଇଥିବ ନିଦାରୁଣ ଯାତନା-ଆକୁଳ,

ବେଢିଥିବେ ତୋତେ କେତେ ହିଂସ୍ରଜନ୍ତୁକୁଳ !

ସେତେବେଳେ ଘୋର ତ୍ରାସେ ହୋଇଣ କାତରା

ଏ ଅଭାଗା ପିତାକୁ ମା ସ୍ମରିଥିବୁ ପରା !

 

ଲବ – (ଅରୁନ୍ଧତୀ ପ୍ରତି) ଆର୍ଯ୍ୟେ ! ଏ ଦୁହେଁ କିଏ ?

 

ଅରୁ – କୌଶଲ୍ୟା ଓ ଜନକ ।

 

ଲବ – (ବିନୟ-ଖେଦ-କୌତୁକ ସହିତ ଉଭୟଙ୍କୁ ଦେଖି ସ୍ୱଗତ ) କି ଆଶ୍ଚର୍ଯ୍ୟ !

 

ଜ- ଅହୋ, ଲୋକଙ୍କର ଏ କି ଦୁଷ୍ଟ ସ୍ୱଭାବ, ପୁଣି ସେହି ରାଜା ରାମଚନ୍ଦ୍ରଙ୍କର କି ଅବିଚାର !

 

ସୀତାନିର୍ବାସନ ମୋ ପ୍ରାଣେ

ଘୋର ବଜ୍ରପତନ

ଭାଳି ଭାଳି ସେହି ଦାରୁଣ

କଥା ଏ ମୋର ମନ

କ୍ରୋଧାନଳେ ଜଳିଉଠୁଛି

ଏବେ ଚାପେ ବେ ଶାପେ

ଦଣ୍ଡିବାରୁ ନୁହେ ବେଳ କି

ସେହି ଭୀଷଣ ପାପେ ?

 

କୌ- ଭଗବତି ! ରକ୍ଷାକରନ୍ତୁ, ରକ୍ଷାକରନ୍ତୁ । କୁପିତ ରାଜର୍ଷିଙ୍କୁ ଶାନ୍ତ କରନ୍ତୁ ।

 

ଅରୁ –       ଅପରାଧୀଜନେ ଦଣ୍ଡିବା

ପାଇଁ ମନସ୍ୱୀ ଜନ

ହୃଦୟ-କୋପର ଅନଳ

ଜଳି ଉଠେ ବହନ;

କିନ୍ତୁ ଦେଖନ୍ତୁ ହେ ରାଜର୍ଷି,

ରାମ ସନ୍ତାନ ତବ,

ପାଳନୀୟ ଦୀନ ପ୍ରଜାଏ,

ଆହେ ଦୀନ-ବାନ୍ଧବ ।

 

ଜ- ଶାନ୍ତା ହୋ ରେ କ୍ରୋଧାନଳେ ଜ୍ୱଳିତ ମୋ ମନ, ପ୍ରାଣର ସନ୍ତାନ ମୋର ଶ୍ରୀରଘୁନନ୍ଦନ ।

 

ଅଧିକାଂଶ ପ୍ରଜା ବାଳ-ବୃଦ୍ଧ-ଅବଳାଏ,

ତାଙ୍କ ପ୍ରତି କୋପ କେଭେ ଶୋଭା ତ ନ ପାଏ।

 

(ବ୍ୟସ୍ତଭାବରେ ବଟୁମାନଙ୍କର ପ୍ରବେଶ)

 

ବଟୁମାନେ – ହେ କୁମାର ? ପଶୁଶାସ୍ତ୍ରରେ ଯେଉଁ ଜନ୍ତୁ ଅଶ୍ୱ ନାମରେ କଥିତ, ସେହି ଜନ୍ତୁକୁ ଆମେ ଏଇକ୍ଷଣି ଦେଖିଲଁ ।

 

ଲବ – ହଁ, ପଶୁଶାସ୍ତ୍ରରେ, ଯୁଦ୍ଧଶାସ୍ତ୍ରରେ ମଧ୍ୟ ଅଶ୍ୱର ନାମ ଦେଖାଯାଏ । କହ ତ ଅଶ୍ୱ ଦେଖିବାକୁ କିପରି ?

 

ବଟୁମାନେ – ଶୁଣ,

ବହଇ ବିପୁଳ ପୁଚ୍ଛ,

ହଲାଉଛି ତାହା ବାରମ୍ବାର,

ଚାରି ପାଦେ ତାର ଅଛି

ଚାରି ଖୁରା, ଗ୍ରୀବା ଦୀର୍ଘାକାର,

ଖାଏ ସେ କୋମଳ ତୃଣ,

ଆମ୍ଭ ପରି ବିଷ୍ଠା-ପିଣ୍ଡ ତାର,

ଦୁରକୁ ଯାଉଛି ଚାଲି,

ଆସ ଆସ, ବିଳମ୍ବ ନ କର ।

 

(ଏହା କହି ଲବର ହାତକୁ ଓ ତାର କୃଷ୍ଣ ମୃଗଚର୍ମକୁ ଧରି ଟାଣିବା)

 

ଲବ – (କୌତୁକ ଓ ବିନୟ ସହିତ) ଗୁରୁଜନମାନେ ଦେଖନ୍ତୁ ଦେଖନ୍ତୁ, ଏମାନେ ମତେ ଧରିନେଇ ଯାଉଚନ୍ତି । କ୍ଷମା କରନ୍ତୁ। (ତ୍ୱରିତ ଗମନ)

 

ଅରୁନ୍ଧତୀ ଓ ଜନକ – ବତ୍ସ, କୌତୂହଳ ପୂରଣ କରୁ ।

 

କୌ – ମୁଁ ତାକୁ ନ ଦେଖି ରହିପାରୁନାହିଁ । ଚାଲନ୍ତୁ, ଅନ୍ୟ ସ୍ଥାନକୁ ଯାଇ ତାକୁ ଆଉ ଥରେ ଦେଖିବା ।

 

ଅରୁ – ସେ ବଡ଼ ଚଞ୍ଚଳ, ଅନେକ ଦୂର ଚାଲିଗଲାଣି, ସେ ଆଉ କିପରି ଦୃଷ୍ଟିରେ ପଡ଼ିବ ?

Unknown

(କଞ୍ଚୁକୀର ପ୍ରବେଶ)

 

କଞ୍ଚୁକୀ – ଭଗବାନ୍‌ ବାଲ୍ମୀକି କହିଲେ, ଆପଣମାନେ ଏସବୁ ବିଷୟ ଯଥାସମୟରେ ଜାଣିପାରିବେ।

 

ଜ – କିଛି ଗୁରୁତର କଥା ଥିଲାପରି ଜଣାପଡ଼ୁଛି । ଭଗବତି ଅରୁନ୍ଧତି ଅରୁନ୍ଧତି, ସଖି କୌଶଲ୍ୟେ, ଆର୍ଯ୍ୟ କଞ୍ଚୁକୀନ୍‌ ! ଆସନ୍ତୁ, ବାଲ୍ମୀକିଙ୍କ ସଙ୍ଗେ ଦେଖାକରିବା ।

 

(ବୃଦ୍ଧାମାନଙ୍କର ପ୍ରସ୍ଥାନ)

 

ବଟୁଗଣ – ହେ କୁମାର ଦେଖ, ଏଇ ସେହି ଆଶ୍ଚର୍ଯ୍ୟ ପଶୁ।

 

ଲବ – ହଁ, ଦେଖିଲି, ବୁଝିଲି, ଏ ଅଶ୍ୱମେଧଯଜ୍ଞର ଅଶ୍ୱ ।

 

ବଟୁ – କିପରି ବୁଝିଲ ?

 

ଲବ – ମୂର୍ଖ, ଏତକ ବୁଝିପାରୁନାହିଁ ! ଅଶ୍ୱମେଧ କାଣ୍ଡରେ କଣ ପଢିନାହିଁ ? ତୁମକୁ କଣ ଦିଶୁ ନାହିଁ ? ଶତ ବର୍ମଧାରୀ ଦଣ୍ଡଧାରୀ ଧନୁର୍ଦ୍ଧର ପୁରୁଷମାନେ ଅଶ୍ୱକୁ ରକ୍ଷାକରୁଛନ୍ତି । ଏହି ସୈନିକମାନେ ସେହିପରି ଦିଶୁଚନ୍ତି । ତୁମ୍ଭର ବିଶ୍ୱାସ ଯଦି ହେଉନାହିଁ, ତେବେ ପଚାରି ବୁଝ ।

 

ବୁଟ – ତୁମ୍ଭମାନଙ୍କ ଦ୍ୱାରା ବେଷ୍ଟିତ ଏ ଅଶ୍ୱ କାହିଁକି ଏପରି ବୁଲୁଚି ?

 

ଲବ – (ସସ୍ପୃହ ସ୍ୱଗତ) ବିଶ୍ୱଜୟୀ ବୀରମାନେ ଅନ୍ୟ ସମସ୍ତ କ୍ଷତ୍ରିୟମାନଙ୍କୁ ଜୟକରି ଅଶ୍ୱମେଧଦ୍ୱାରା ନିଜର ପ୍ରାଧାନ୍ୟ ସ୍ଥାପନ କରନ୍ତି ।

 

(ନେପଥ୍ୟେ-)

ଦଶ-କଣ୍ଠ-ବଂଶ-ଧ୍ୱଂସୀ ଅଦ୍ୱିତୀୟ ବୀର-

କେ ନ ଜାଣେ ତାଙ୍କ ନାମ ଏହି ଧରଣୀର ।

ଏହି ଅଶ୍ୱ, ଏ ପତାକା ଅଟଇ ତାଙ୍କର

ବିଜୟ ଘୋଷଣା, ସର୍ବେ ଜାଣ ହେ ନିକର ।

 

ଲବ- (ବ୍ୟଥିତଭାବରେ) ଏ କଥାଗୁଡ଼ାକ ଶୁଣି ମୋ ମନ ଜଳିଉଠୁଚି ।

 

ବଟୁମାନେ – ହେକୁମାର, ସେମାନେ କଣ କହୁଚନ୍ତି ? ତୁମେ ପ୍ରାଜ୍ଞ ,ଅବଶ୍ୟ ବୁଝିଥିବ ।

 

ଲବ- ଟିକିଏ ରହିବଟି , ମୁଁ ସେମାନଙ୍କ କଥାର ଉତ୍ତର ଦିଏଁ । ଭୋ ଭୋ ଘୋଷଣାକାରୀ ପୃଥିବୀରେ କଣ ଆଉ କ୍ଷତ୍ରିୟ ନାହାନ୍ତି ଯେ, ତୁମେମାନେ ଏପରି ଗର୍ବିତ ଘୋଷଣା କରୁଅଛ ?

 

(ନେପଥ୍ୟ-)

ମହାରାଜାଙ୍କ ଆଗରେ ପୁଣି କ୍ଷତ୍ରିୟ କିଏ ରେ ?

 

ଲବ – କରୁଚ ବଡ଼ାଇ ବୃଥା କିଏ ରେ ପାମରେ ?

ଥାଆନ୍ତୁ ସେ ମହାରାଜା ତାଙ୍କ ସାମ୍ରାଜ୍ୟରେ

ଆଉ ବୃଥା କଥା ଏବେ, ଏ କି ବିଭୀଷିକା !

ଏଇ ଦେଖ ହରିବଇଁ ତୁମ୍ଭର ପତାକା ।

 

(ବଟୁ ମାନଙ୍କ ପ୍ରତି) ଏଇ ଘୋଡ଼ାଟାକୁ ଢେଲା ମାରି ମାରି ଆଶ୍ରମଆଡ଼କୁ ନେଇଯାଅ ତ ; ମୃଗମାନଙ୍କ ସଙ୍ଗରେ ଯାଇ ଚରୁ ।

 

(ଜଣେ କ୍ରୋଧାବିଷ୍ଟ ପୁରୁଷର ସନ୍ଦର୍ପ ପ୍ରବେଶ)

 

ହଇରେ ଟୋକାଏ , କଣ କହୁଥିଲ ? ଏ ଶସ୍ତ୍ରଧାରୀ ପୁରୁଷମାନେ ବଡ଼ ନିର୍ଦ୍ଦୟ । ସେମାନେ ସାନପିଲାଙ୍କ ସୁଦ୍ଧା ଗର୍ବିତ କଥା ଚନ୍ଦ୍ରକେତୁ ଧନୁର୍ବାଣ ଧରି ନିକଟସ୍ଥ ଅରଣ୍ୟ ଦେଖିବକୁ ଯାଇଚନ୍ତି । ତାଙ୍କ ଆସିବା ଆଗରୁ ଏଇବାଟତ ପଳାଅ ।

 

ବଟୁମାନେ – ହେ କୁମାର, ଏ ଘୋଡ଼ାରେ ଆମର କି ପ୍ରୟୋଜନ ? ହେଇ ଦେଖ, ସୈନିକମାନେ ଅସ୍ତ୍ରଗୁଡ଼ାକ ଚମକାଇ କିପରି ଆଖି ତରାଟି ଅନାଉଚନ୍ତି । ଆଶ୍ରମ ମଧ୍ୟ ଏଠୁ ଦୂର । ଚାଲ, ହରିଣ ପରି ଡ଼ିଆଁ ମାରି ପଳେଇଯିବା ।

 

ଲବ – ଅସ୍ତ୍ରଗୁଡ଼ାକ ଚମକାଇ ଆମକୁ ଡ଼ରାଉଚନ୍ତି ପରା ! (ଧନୁରେ ଗୁଣ ଚଢାଉ ଚଢାଉ)

 

ଘୋର ଘନ ଘର୍ଘର ଘୋଷ ଉଦ୍‌ଗାରି

ଏ ମୋର ଚାପ ମୌର୍ବୀ ଜିହ୍ୱା ବିସ୍ତାରି

ସର୍ବଗ୍ରାସୀ ବିକଟ ଯମର ତୁଣ୍ଡ

ପରାଏ ଗ୍ରାସ ସର୍ବ ଅରାତି ମୁଣ୍ଡ ।

 

(କୌଶଲ୍ୟା-ଜନକାଦି-ଦର୍ଶନ ନାମକ

ଚତୁର୍ଥ ଅଙ୍କ ସମାପ୍ତ)

 

 

ପଞ୍ଚମ ଅଙ୍କ

 

(ନେପଥ୍ୟେ -) ଭୋ ଭୋ ସୈନିକବର୍ଗ ! ଭୟ ନାହିଁ ! ଏଇ ଦେଖ,

 

ସମନ୍ତ୍ର-ବାହିତ ରଥେ

ଆସୁଚନ୍ତି ବୀର ଚନ୍ଦ୍ରକେତୁ,

ପଥେ ପ୍ରତିଘାତ ଯୋଗୁଁ

ହଲୁଅଛି ସେ ରଥର କେତୁ।

କଶାଘାତେ ମହାବେଗେ

ଧାଇଁଛନ୍ତି ରଥ-ତୁରଙ୍ଗମେ

ଏ ଯୁଦ୍ଧ-ସମ୍ୱାଦ ପାଇ

ଚନ୍ଦ୍ରକେତୁ ଆଗତ ସମ୍ଭ୍ରମେ।

 

(ବିସ୍ମୟ-ହର୍ଷ-ସମ୍ଭ୍ରମରେ ହସ୍ତରେ ଧନୁର୍ବାଣ ଧାରଣ କରି ରଥାରୁଢ ଚନ୍ଦ୍ରକେତୁଙ୍କର ପ୍ରବେଶ)

 

ଚନ୍ଦ୍ରକେତୁ –

ଆର୍ଯ୍ୟ ସୁମନ୍ତ୍ର ! ଦେଖ ଦେଖ ! କି ଆଶ୍ଚର୍ଯ୍ୟ !

କିଏ ଏଇ ବାଳ-ବୀର ମୁନି-ଜନ-ସୁତ

ଯେହ୍ନେ ରଘୁ-କୁଳ-ନବ-ଅଙ୍କୁର ଅଦ୍ଭୁତ ।

ଦିଶଇ ମୁଖଶ୍ରୀ କୋପେ ଆରକ୍ତ-ବରଣ,

ସେନା ପରେ ବାଣବୃଷ୍ଟି କରେ ଘନଘନ ।

ଭେଦଇ ଟଙ୍କାର-ଘୋଷେ ହସ୍ତି-ଗଣ୍ଡସ୍ଥଳ,

ଏକାକୀ ଯୁଝଇ ବୀର, ଧନ୍ୟ ବୀରପଣ !

କେ ଏ ଶିଶୁ, ଜାଣିବାକୁ ଉତ୍ସୁକ ମୋ ମନ ।

 

ସୁମନ୍ତ୍ର – ଆୟୁଷ୍ମନ୍‌,

ଅଛି ଅତିକ୍ରମି ସୁରାସୁର ପରାକ୍ରମ,

ଦେଖି ତବ ତୁଲ୍ୟ ଏହି ଶିଶୁ ମନୋରମ,

ବିଶ୍ୱମିତ୍ର-ଯଜ୍ଞଦ୍ୱେଷୀ-ରାକ୍ଷସ-ନିଧନେ

ଧନୁର୍ଦ୍ଧର-ରାମ-ମୂର୍ତ୍ତି ପଡ଼ଇ ମୋ ମନେ ।

 

ଚନ୍ଦ୍ରକେତୁ – ଏ ଏକାକୀ କେବଳ ଜଣକ ଉପରେ ବହୁସୈନ୍ୟର ଆକ୍ରମଣ ଦେଖି ମୁଁ ବଡ଼ ଲଜ୍ଜା ବୋଧକରୁଚି।

 

ସଂଗ୍ରାମ-ପ୍ରାଙ୍ଗଣେ ଧୂଳି-ପଟଳ ମଧ୍ୟରେ

ସୈନିକଙ୍କ ଶସ୍ତ୍ର-ଜାଳ ଚମକଇ ଖରେ ।

କନକ-କିଙ୍କିଣୀ ରଥେ ବାଜେ ଝଣଝଣ,

ମତ୍ତଗଜେ ଘେରିଚନ୍ତି ଯେହ୍ନେ ଘୋର ଘନ ।

ଏହି ସୈନ୍ୟ-ବ୍ୟୁହେ ପରିବେଷ୍ଟିତ କୁମାର

ଯୁଝଇ ଏକାକୀ, ଅହୋ ଅଦ୍ଭୁତ ବ୍ୟାପାର !

 

ସୁମନ୍ତ୍ର – ଏ ସମସ୍ତେ ମିଳି ସୁଦ୍ଧା ତାହାର କିଛି କରିପାରୁନାହାନ୍ତି । ଭିନ୍ନ ଭିନ୍ନ ହୋଇ ଯୁଝିଥିଲେ, ଆଉ କଣ କରନ୍ତେ ।

 

ଚନ୍ଦ୍ରକେତୁ – ଆର୍ଯ୍ୟ ! ତ୍ୱରା କରନ୍ତୁ; ଦେଖନ୍ତୁ, ଏ ବୀର ଆମର ସୈନ୍ୟମାନଙ୍କୁ କିପରି ସଂହାର କରୁଛି ।

 

ବର୍ଦ୍ଧିତ ଦୁନ୍ଦୁଭି-ରବେ- ଏ ଯୋଦ୍ଧାର କୋଦଣ୍ଡ ଟଙ୍କାର

ଗିରି-ଗଜ-ବ୍ରଜ-କର୍ଣ୍ଣେ କରୁଥିବ ବ୍ୟଥାକୁ ବିସ୍ତାର ।

ଆଚ୍ଛନ କଲାଣି ବୀର ଋଣ-ସ୍ଥଳୀ କବନ୍ଧନିକରେ,

କେତେ ମୁଣ୍ଡ ଅର୍ପିଲାଣି ବିକରାଳ କାଳର ତୁଣ୍ଡରେ ।

 

ସୁମନ୍ତ୍ର – (ସ୍ୱଗତ) ଏପରି ଯୋଦ୍ଧା ସହିତ ବତ୍ସ ଚନ୍ଦ୍ରକେତୁଙ୍କୁ ଦ୍ୱନ୍ଦ୍ୱ-ଯୁଦ୍ଧ କରିବାପାଇଁ କିପରି ଅନୁମତି ଦେବି ? (ବିଚାରି) ଇକ୍ଷ୍ୱାକୁ-କୂଳର ରୀତି ତ ଏଇତା । ଏତେବେଳେ ଯୁଦ୍ଧ ବିନା ଆଉ ଗତି ନାହିଁ ।

 

ଚନ୍ଦ୍ରକେତୁ – (ଲଜ୍ଜା-ବିସ୍ମୟ-ସମ୍ଭ୍ରମରେ) ଧିକ ଧିକ ! ଆମର ସୈନ୍ୟଗୁଡ଼ାକ ଏଣେତେଣେ ପଳାଉଚନ୍ତି !

 

ସୁମନ୍ତ୍ର – (ରଥ ଦଉଡ଼ାଇ) ଆୟୁଷ୍ମନ୍ ! ଯାହା କଥା ଆମେ କହୁଥିଲୁଁ, ସେ ଏହି ବୀର ।

 

ଚନ୍ଦ୍ରକେତୁ – ଯେଉଁମାନେ ଆମକୁ ଡ଼ାକିବାକୁ ଯାଇଥିଲେ, ସେମାନେ ଏହାଙ୍କର କି ନାମ କହୁଥିଲେଟି ?

 

ସୁମନ୍ତ୍ର – ଲବ ।

 

ଚନ୍ଦ୍ରକେତୁ- ଆହେ ଲବ ମହାବାହୁ !

ସେନା ସହ ଥାଉ ଏବେ ଋଣ,

ଆସିଛି ମୁଁ, ଆସ ପାଶେ,

ତେଜେ ତେଜ ଲଭୁ ପ୍ରଶମନ ।

ସୁମନ୍ତ୍ର – ଦେଖ ହେ ଦେଖ କୁମାର,

ଆସୁଅଛି ସେ ବୀର-ପ୍ରବର

ସୈନିକ-ସଂହାର ତେଜି

ମହାବେଗେ ଆହ୍ୱାନେ ତୁମ୍ଭର ।

ଶୁଣି ମେଘ ଗରଜନ

ତେଜି ଗଜ-ବାଜି ବିମର୍ଦନ

ମହାଦର୍ପେ ସିଂହ-ଶିଶୁ

ଊର୍ଦ୍ଧ୍ୱ ନେତ୍ରେ ଅନାଏ ଯେସନ ।

 

(ସନ୍ଦର୍ପ ପଦବିକ୍ଷେପରେ ଲବର ସତ୍ୱର ପ୍ରବେଶ)

 

ଲବ –       ଧନ୍ୟ ଧନ୍ୟ ! ରାଜକୁମାର, ଯଥାର୍ଥରେ ତୁମ୍ଭେ ଇକ୍ଷ୍ୱାକୁ-ବଂଶଧର । ତେଣୁକରି ମୁଁ ଏବେ ବାହୁଡ଼ି ଆସିଲି

(ନେପଥ୍ୟେ ମହାକୋଳାହଳ)

(ଆବେଗସହ ଫେରି ଚାହିଁ) ଏ କଣ ? ଭଙ୍ଗ ଦେଇ ସୁଦ୍ଧା ଏ ଚମୂପତିମାନେ ପୁଣି ଆସି ସନ୍ଦର୍ପରେ ବେଷ୍ଟନ କରି ମୋତେ ମାରିବାକୁ ବସିଲେଣି ! ଧିକ୍‌ ! ଏ ପାମରେ –

 

ପ୍ରଳୟ ମରୁତ –       ଯୋଗେ ଆସ୍ଫାଳିତ

ସିନ୍ଧୁର ପ୍ରବାହ ସମ,

ଚୌଦିଗୁଁ ଉତ୍‌ଥିତ             ଏ ବହଳ ସେନା

ମହାକୋଳାହଳ ମମ,

ଶୈଳ-ଅଭିଘାତ -       ଯୋଗେ ବିକ୍ଷୋଭିତ

ବାଡ଼ବ-ବହ୍ନି ସମାନ,

ପ୍ରଚଣ୍ଡ କ୍ରୋଧାଗ୍ନି            ଶିଖାର କବଳେ

ପଡ଼ନ୍ତୁ ନ ପାଇ ସ୍ଥାନେ ।

(ଏହା କହି ପରିକ୍ରମଣ)

 

ଚନ୍ଦ୍ର – ଭୋ ଭୋ କୁମାର !

ଆଚମ୍ବିତ ଗୁଣ ଯୋଗୁଁ ପ୍ରିୟଟି ମୋହର

ତେଣୁ ବନ୍ଧୁ ତୁମ୍ଭେ, ଯାହା ମୋର ତା ତୁମ୍ଭର ।

ତେବେ କିପାଁ ନିଜ ଜନେ ଦେଉଅଛ ପୀଡ଼ା,

ପାଶେ ତୁମ୍ଭ ଦର୍ପହାରୀ ଚନ୍ଦ୍ରକେତୁ ଛିଡ଼ା ।

 

ଲବ – (ସହର୍ଷେ ଓ ସୋଦ୍‌ବେଗରେ ଫେରିଚାହିଁ)

ଅହୋ ! ମହାନୁଭବ ସୁର୍ଯ୍ୟବଂଶ କୁମାରଙ୍କର ଏହି ବୀରଚିତ ଉକ୍ତି ଯେପରି କର୍କଶ, ସେହିପରି ମଧ୍ୟ ସ୍ନିଗଧ । ତାହାହେଲେ ଏମାନଙ୍କ ଦେଇ ଫଳ କଣ ? ଯାଏଁ ଏହାଙ୍କୁ ତେବେ ସମ୍ବର୍ଦ୍ଧନା କରେ । (ପୁନର୍ବାର ନେପଥ୍ୟେ କୋଳାହଳ)

 

ଲବ –       (କ୍ରୋଧ ଓ ବିରକ୍ତିରେ ) ଆହାଃ ! ଏଗୁଡ଼ାକ ମୋତେ ବାରମ୍ବାର ଚିଟା କଲେ । ବୀର ସଙ୍ଗରେ ବୀରକୁ କଥା କୁହାଇ ଦେଲେ ନାହିଁ ।

(ସେହି ଅଭିମୁଖରେ ପରିକ୍ରମଣ)

 

ଚନ୍ଦ୍ର – ଆର୍ଯ୍ୟ ! ଦେଖିବାହେଉ, ଏହା ଦେଖିବା ଯୋଗ୍ୟ ଏକା –

 

ଦର୍ପଭରେ କୁତୁହଳେ ଉଞ୍ଚାଇ କୋଦଣ୍ଡ

ସମ୍ମୁଖେ ମୋ ମୁଖେ ଲକ୍ଷ୍ୟ, ପଶ୍ଚାତେ ପ୍ରଚଣ୍ଡ,

ଅନୁଗାମୀ ସୈନ୍ୟଗଣେ ରଖି ତିକ୍ଷ୍‌ଣ ଦୃଷ୍ଟି

ଦିଶେ ନ କରୁଣୁ ଏହି ଶରବୃଷ୍ଟି,

ବାତେ ଦ୍ୱିଧାକୃତ ବେନି ଚଳଦଭ୍ର ଯଥା

ମଧ୍ୟେ ଇନ୍ଦ୍ରଧନୁ ଧରି ଶୋହେ ଏହୁ ତଥା ।

 

ସୁମ – କୁମାର ! ଜାଣନ୍ତି ? ଆମ୍ଭେ କେବଳ ବିସ୍ମୟରେ ବଶୀଭୂତ ହୋଇଗଲୁଣି ।

 

ଚନ୍ଦ୍ର – ଭୋ ଭୋ ରାଗନ୍ୟ ବର୍ଗ !

 

ଘେନି ଅଗଣିତ ରଥ ଗଜ ତୁରଙ୍ଗମ

ଧରି ବର୍ମ ଅସ୍ତ୍ରଶସ୍ତ୍ର କର ଯୁଦ୍ଧୋଦ୍ୟମ,

ଏକମାତ୍ର ପଦାତିକ ଶିଶୁ ପ୍ରତି ଯାହା

ଅଙ୍ଗେ ଉତ୍ତରୀୟ ଯାର ମେଧ୍ୟ ଚର୍ମ, ଆହା

ଅତି କମନନୀୟ-ବପୁ ଧିକ ଧିକ ରଣେ,

ତୁମ୍ଭ କ୍ଷତ୍ରିପଣେ ତଥା ମୋ କୁଜନେ ।

 

ଲବ –       (କ୍ଷୁବ୍‌ଧଭାବରେ) କଣ ! ମୋତେ ଅନୁକମ୍ପା କରୁଚ ନା ? (ବିଚାର କରି) ହଉ, ତାହାହେଲେ କାଳହରଣ ନ କରି ଆଗେ ଏ ସୈନ୍ୟଙ୍କୁ ସ୍ତମ୍ଭନ କରିଦିଏଁ ।

(ଏହା କହି ଧ୍ୟାନର ଅଭିନୟ)

 

ସୁମ – ଏ କଣ ! ଆମ ସୈନ୍ୟମାନଙ୍କ ଘୋ-ଘୋ ଶବ୍ଦ ହଠାତ୍‌ କାହିଁକି ଥମିଗଲା ।

 

ଲବ – ଏବେ ଏହି ଗର୍ବୀକି ଦେଖିବି !

 

ସୁମ – (ସମ୍ଭ୍ରମେ) ବତ୍ସ ! ମୋତେ ଜଣାଯାଏ, ଏହି କୁମାର ଜୃମ୍ଭକ ଅସ୍ତ୍ରକୁ ମନ୍ତ୍ରରେ ପ୍ରୟୋଗ କଲେ ।

 

ଚନ୍ଦ୍ର – ଏଥିରେ ଆଉ ସନ୍ଦେହ କଣ ?

 

ତମ ବିଦ୍ୟୁତ୍‌ର ଏ ଭୀମ ସମର

ଗ୍ରାସେ ମୋକ୍ଷେ ନେତ୍ର ଧର୍ଷଇ ମୋହର ।

ରହିଲେଣି ଏବେ ଏ ସୈନ୍ୟନିକର

ଚିତ୍ରାର୍ପିତ ପ୍ରାୟ ନୀରବ ନିଶ୍ଚଳ ।

ନିଶ୍ଚୟେ ଏହାଟି ଅମିତପ୍ରଭାବ

ଜୃମ୍ଭକ ଅସ୍ତ୍ରର ହେଲା ପ୍ରାଦୁର୍ଭାବ ।

 

ଆଶ୍ଚର୍ଯ୍ୟ ! ଆଶ୍ଚର୍ଯ୍ୟ !

 

ପାତାଳ ଉଦରେ            ପୁଞ୍ଜୀଭୂତ ତମ

ପରାଏ ଦିଶେ ଶ୍ୟାମଳ,

ତପତ ତରଳ            ପିତ୍ତଳ ପରାଏ

କାନ୍ତି ଅତ୍ୟନ୍ତ ଉଜ୍ଜ୍ୱଳ ।

କଳ୍ପାନ୍ତ ସଂହାର             କାଳେ ରୁଦ୍ରବାତ

ଯୋଗେ ଚୌଦିଗେ ଚାଳିତ,

ଘନ କାଦମ୍ବିନୀ-            ସ୍ଥିତ ସୌଦାମିନୀ

ସମ ପିଙ୍ଗ-ବିଳାନ୍ୱିତ

ବିନ୍ଧ୍ୟ ଗିରିବର             ଶିଖର ପରାଏ

ଏ ଜୃମ୍ଭକ ଅସ୍ତ୍ରେ ଏବେ,

ଘୋଟିଗଲା ଚାହୁଁ             ଚାହୁଁ ନଭସ୍ଥଳ

ନ ଦିଶଇ କି କି ଲବେ ।

 

ସୁମ- ଏ ଜୃମ୍ଭକାସ୍ତ୍ରର ଶିକ୍ଷା କାହାଠାରୁ ହୋଇଥିବ ?

 

ଚନ୍ଦ୍ର – ମୋତେ ଜଣାଯାଏ, ଭଗବାନ୍‌ ବାଲ୍ମୀକିଙ୍କ ଠାରୁ-

 

ସୁମ – ତାହାଙ୍କର ତ ଅସ୍ତ୍ରର ବ୍ୟବହାର ନାହିଁ, ବିଶେଷରେ ପୁଣି ଜୃମ୍ଭକାସ୍ତ୍ରର, ଯେଣୁ –

 

ଅଟନ୍ତି ଏ ଅସ୍ତ୍ରେ କୃଶାଶ୍ୱ- ସନ୍ତତି,

ତାଙ୍କଠାରୁ ଗଲେ ବିଶ୍ୱାମିତ୍ର କତି ।

ତହୁଁ ପୁଣି ଶିଷ୍ୟ-ଭାବବଶୁଁ ଜାଣ,

ରାମଭଦ୍ରେ ଶେଷେ କଲେ ଅବସ୍ଥାନ ।

 

ଚନ୍ଦ୍ର – ସତ୍ତ୍ୱଗୁଣ ବିକାଶରେ ଅନ୍ୟ ମନ୍ତ୍ରଦ୍ରଷ୍ଟା ମୁନିମାନେ ମଧ୍ୟ ଆପେ ଆପେ ଦେଖିଥାନ୍ତି ।

 

ସୁମ – ବତ୍ସ ! ସାବଧାନ ହୁଅ ! ଏଇ ଦେଖ, ସେହି ବୀର ଏଣିକି ଫେରୁଛନ୍ତି !

 

କୁମାରଦ୍ୱୟ – (ପରସ୍ପର ପ୍ରତି) ଆହା ! ଏ କୁମାର କେଡ଼େ ପ୍ରିୟଦର୍ଶନ !

 

ଆକସ୍ମିକ ଆଳାପରେ ଅବା ସଗୁଣରେ

କିମ୍ବା ପୂର୍ବଜନ୍ମକୃତ ପରିଚୟଫଳେ

ଅଥବା ଅଜ୍ଞାନ କିଛି ଆତ୍ମ-ସମ୍ବନ୍ଧରୁ

ମୋ ଚିତ୍ତ କିପାଇଁ ସ୍ଥିର, ୟାଙ୍କୁ ଦେଖିଲାରୁ

 

ସୁମ –       ପ୍ରାଣୀର ସ୍ୱାଭାବିକ ଧର୍ମ ଏହି ଯେ, କାହାରି ଯଦି କାହା ସାଙ୍ଗରେ ପ୍ରୀତି ଜନ୍ମେ, ତାହା ଏକ ରାଶି କା ଏକତାଜନିତ ହେଉ ଅଥବା ଚକ୍ଷୁରୋଗଜନିତ ହେଉ, ଲୋକେ ତାହାକୁ ଏକ ଅଚିନ୍ତନୀୟ ଅନିର୍ବନ୍ଧନ ପ୍ରମାଣ ବୋଲି ମନେକରନ୍ତି

 

ବିନା କାରଣେଟି ଯେ ସ୍ନେହ ଆସେ,

ତାର ପ୍ରତିକାର ନାହଁଟି ବିଶ୍ୱେ ।

ସେହି ସ୍ନେହମୟ ସୁ୍ତ୍ର ସୀବନ,

କରଇ ସବୁରି ଅନ୍ତଃକରଣ ।

 

କୁମାରଦ୍ୱୟ – (ପରସ୍ପର ପ୍ରତି)

 

ମସୃଣ ମଣିଶିଳା ସମ ସୁଢଳ

ଏ ଅପଘନେ କେହ୍ନେ କ୍ଷେପିବି ଶର !

ଯା ଆଲିଙ୍ଗନ ଆଶେ ମୋ ଅଙ୍ଗ ପରା

ନୀପ କୁସୁମ ସମ ପୁଲକେ ଭରା !

କିନ୍ତୁ ଏ ଉଗ୍ରତେଜା ପୁରୁଷବରେ

ଶସ୍ତ୍ର ବିନା କି ଗତି ଅଛି ଏ ସ୍ଥଳେ ?

ଏପରି ବୀର ଲକ୍ଷ୍ୟ ନୋହିବ ଯାର,

ସେ ଶରେ କେଉଁ ଫଳ ଆଉ ଯୋଦ୍ଧାର !

ସେ ଶସ୍ତ୍ର ଧରୁଁ ଯେବେ ହେବି ବିମୁଖ,

କି ବୋଲିବି ମୋତେ ସେ, ଏ ବଡ଼ ଦୁଃଖ !

ଅତି ଦାରୁଣ ସିନା ବୀର-ପଦ୍ଧତି !

ମାନଇ କାହିଁ କେବେ ସ୍ନେହ-ପୀରତି !

 

ସୁମ –       (ଲବକୁ ନିରୀକ୍ଷଣ କରି ସଲୋତକେ ସ୍ୱାଗତ) ରେ ହୃଦୟ ! ଅନ୍ୟ ପ୍ରକାର ତର୍କଣା କରୁଛୁ କାହିଁକି ?

 

ମନୋରଥର ତୋର ଯେହୁ ନିଦାନ,

ଦଇବେ ମୂଳୁଁ ତାହା ନଷ୍ଟଟି ଜାଣ ।

ଯାଇଛି ଛିଡ଼ି ଯେଉଁ ଲତା ଆଗହୁଁ,

ତହିଁରେ ପୁଷ୍ପ ଅବା ଆସିବ କାହୁଁ ?

 

ଚନ୍ଦ୍ର – ଆର୍ଯ୍ୟ ସୁମନ୍ତ୍ର ! ମୁଁ ରଥରୁ ଅବତରଣ କରୁଚି ।

 

ସୁମ – ଆଚ୍ଛା, କାହିଁକି ?

 

ଚନ୍ଦ୍ର –       ଆର୍ଯ୍ୟ, ଯେଣୁ ଏ ପୁରୁଷ ପୁଜ୍ୟ । ଆଉ ମଧ୍ୟ ଏହାଦ୍ୱାରା କ୍ଷତ୍ରିୟ-ଧର୍ମ ପାଳନ ହେବ । ରଥିମାନଙ୍କର ପାଦଚାରୀ ସହିତ ଅସ୍ତ୍ର ବ୍ୟବହାର କର୍ତ୍ତବ୍ୟ ନୁହେଁ ବୋଲି ଶାସ୍ତ୍ରଜ୍ଞ ପଣ୍ଡିତମାନେ କହିଆସୁଅଛନ୍ତି ।

ସୁମ – (ସ୍ୱଗତ) ବଡ଼ କଷ୍ଟରେ ପଡ଼ିଲି । କଣ କରିବି, ସ୍ଥିର କରିପାରୁ ନାହିଁ ।

 

ଜାଣୁ ଜାଣୁ କିପରି ବା

ନିଷେଧିବି ନ୍ୟାଯ୍ୟ ଅନୁଷ୍ଠାନ,

କେମନ୍ତେ ବା ଏ ସାହସେ

କରିବି ମୁଁ ଅନୁମତି ଦାନ ।

 

ଚନ୍ଦ୍ର –       ଆର୍ଯ୍ୟ, ପୂଜନୀୟ ପିତା ସୁଦ୍ଧା ଧର୍ମାର୍ଥ ବିଷୟରେ କିଛି ସନ୍ଦେହ ହେଲେ ପିତୃବନ୍ଧୁ ଆପଣଙ୍କୁ ପଚାରିଥାନ୍ତି; ତେବେ ଏକ୍ଷଣି ଆପଣ କଣ ଚିନ୍ତା କରୁଛନ୍ତି ?

 

ସୁମ – ଆୟୁଷ୍ମାନ ! ହଁ, ଧର୍ମସଙ୍ଗତ କଥା କହୁଚ ?

 

ସଂଗ୍ରାମର ନ୍ୟାୟ ଏହି,

ଏହି ଏକା ଧର୍ମ ସନାତନ,

ରଘୁକୁଳ-କେଶରୀଙ୍କ

ଏହି ଜାଣ କୁଳ-ଆଚରଣ ।

 

ଚନ୍ଦ୍ର –       ଆର୍ଯ୍ୟ, ଆପଣଙ୍କ ବଚନ ଶାସ୍ତ୍ର-ସଙ୍ଗତ । ଇତିହାସ, ପୁରାଣ ଓ ଧର୍ମପ୍ରବଚନ ତଥା ରଘୁକୁଳାଚାର ଜାଣନ୍ତି ଆପଣ ।

 

ସୁମ – (ସ୍ନେହାଶ୍ରୁ ସହିତ ଆଲିଙ୍ଗନ କରି)

 

ଇନ୍ଦ୍ରଜିତନିହନ୍ତା ବତ୍ସ ଲକ୍ଷ୍ମଣ,

ତାହାର ପୁଣି ବତ୍ସ ! ତୁହି ନନ୍ଦନ ।

ଏ ମଧ୍ୟେ ବହିଗଲା କେତେ ଦିବସ,

ଦେଖାଉ ବୀରପଣ ବତ୍ସର ବତ୍ସ !

ଜାଣିଲି ଦଶରଥ-କୁଳ ଆଜିରେ

ଲଭିଲା ପ୍ରତିଷ୍ଠାକୁ ଏହି ମହୀରେ ।

 

ଚନ୍ଦ୍ର – (ଦୁଃଖରେ)

 

ଥାଉଁ ରଘୁଜ୍ୟେଷ୍ଠ             ଅପ୍ରିତିଷ୍ଠ ଆର୍ଯ୍ୟ,

କି ପ୍ରତିଷ୍ଠା ଆଉ କୁଳେ ?

ଅନ୍ୟ ତିନି ତାତ            ମର୍ମାହତ ସଦା

ଏ ଦୁଃଖ ମାନସ-ଶୂଳେ ।

 

ସୁମ – ଆହା ହା ! ଚନ୍ଦ୍ରକେତୁର ଏ ବଚନ କେଡ଼େ ମର୍ମବିଦାରକ !

 

ଲବ- ଓହୋ, ବର୍ତ୍ତମାନ ମିଶ୍ରରସ ଉପସ୍ଥିତ ।

 

ଆକାଶେ ଉଇଁଲେ ଚନ୍ଦ୍ରମା

କୁମୁଦିନୀ ଯେସନ

ମୁଦ କଲେ ଏହି ପୁରୁଷେ

ମୋର ଦୃଷ୍ଟି ତେସନ ।

 

(କିନ୍ତୁ) ଟଙ୍କାରମୁଖର କୋଦଣ୍ଡ-ପ୍ରିୟ ମୋର ଦୋର୍ଦଣ୍ଡ କଳହକୁ ଏବେ ବଳଇ ଉଗ୍ରରସେ ପ୍ରଚଣ୍ଡ ।

 

ଚନ୍ଦ୍ର – (ଅବତରଣ ଅଭିନୟ କରି ) ଆର୍ଯ୍ୟା ! ସୂର୍ଯ୍ୟବଂଶୀୟ ଚନ୍ଦ୍ରକେତୁ ଅଭିବାଦନ କରୁଅଛି।

 

 

ସୁମ - ରାଘବଙ୍କ ପରି             ଅପରେ ଅଜୟେ

ମହାତେଜ ବତ୍ସ, ଲଭ,

ତୋହ ଶୁଭକଳ୍ପେ            ସେ ଆଦିବରାହ

ଅର୍ପନ୍ତୁ ଜୟବିଭବ ।

 

ଆଉ ମଧ୍ୟ –

 

ତୁମ୍ଭ ଗୋତ୍ର ପିତା             ସେ ଦେବ ସବିତା            ସାହା ହୁଅନ୍ତୁ ସମରେ,

ସେ ମୈତ୍ରାବରୁଣ             କୁଳଗୁରୁ ପୁଣ

ଦିଅନ୍ତୁ ଜୟଶ୍ରୀ ବରେ ।

ଇଦ୍ରାଗ୍ନି ମରୁତ            ବିଷ୍ଣୁ ଗୁରୁତ୍ମତ

ତେଜ ତୋ ଦେହକୁ ଆସୁ,

ରାମ ଲକ୍ଷ୍ମଣର             କୋଦଣ୍ଡ ଟଙ୍କାର-

ମନ୍ତ୍ର ତୋର ଜୟ ଘୋଷୁ ।

 

ଲବ – କୁମାର ରଥରେ ଥାଇ ତୁମ୍ଭଙ୍କୁ ଭଲ ଦିଶୁଛି । ଏଭଳି ଆଦର ମୋର ଲୋଡ଼ା ନାହିଁ ।

 

ଚନ୍ଦ୍ର – ତାହାହେଲେ, ମହାଭାଗ ! ଅନ୍ୟ ଗୋଟିଏ ରଥ ଅଳଙ୍କୃତ କରନ୍ତୁ ।

 

ଲବ – ଆର୍ଯ୍ୟ ! ରଥ ଉପରକୁ ରାଜପୁତ୍ରଙ୍କୁ ନିଅନ୍ତୁ ।

 

ସୁମ- ତୁମ୍ଭେ ମଧ୍ୟ ଚନ୍ଦ୍ରକେତୁର ଅନୁରୋଧ ରକ୍ଷାକର ।

 

ଲବ – ଆପଣାର ଉପକରଣରେ ଏପରି ଗୋଟାଏ ବିଚାର କଣ ? ଆମ୍ଭେମାନେ ତ ଅରଣ୍ୟବାସୀ, ରଥର ବ୍ୟବହାର କଣ, କିଛି ଜାଣୁ ନାହୁଁ ।

 

ସୁମ – ବତ୍ସ ! ଦର୍ପ ଆଉ ସୌଜନ୍ୟର ଯଥୋଚିତ ବ୍ୟବହାର ତୁମ୍ଭେ ଜାଣ ।

 

 

ଯେବେ ରଘୁକୁଳମଣି ରାମଭଦ୍ର

ତୁମ୍ଭଙ୍କୁ ଏପରି ଦେଖନ୍ତେ,

ତାହାହେଲେ ସେ ହୃଦୟକୁ

ସ୍ନେହର ପ୍ରସ୍ରବଣ କରିଦିଅନ୍ତେ!

 

ଲବ – ସେ ପୂଜନୀୟ ରାଜର୍ଷି ସୁଜନ ବୋଲି ଶୁଣାଯାଏ ।                   (ସଲଜ୍ଜଭାବରେ)

 

ଆମ୍ଭେ ମଧ୍ୟ ତଥା ନୋହୁଁ ଯଜ୍ଞବିଘ୍ନକାରୀ,

କେବା ନ ମାନେ ସେ ନୃପେ

, ବହୁ ଗୁଣଶାଳୀ ।

ତଥାପି ଏ ତୁରଙ୍ଗମ-ରକ୍ଷିଙ୍କ ବେଭାର,

ସର୍ବକ୍ଷତ୍ର କୁତ୍ସାବଶୁଁ ଜନ୍ମାଏ ବିକାର ।

 

ଚନ୍ଦ୍ର – (ସସ୍ମିତେ ) ତାହହେଲେ କଣ ତୁମ୍ଭର ପିତାଙ୍କ ପ୍ରତାପ ପ୍ରତାପାଧିକ୍ୟରେ ସୁଦ୍ଧା ଅସହନ ଭାବ ଅଛି ?

 

ଲବ – ଅସହିଷ୍ଣୁତା ଥାଉ ବା ନଥାଉ, ଆପଣଙ୍କୁ ଏତିକି ପଚାରୁଚି, ସେ ରାଜାଙ୍କର ତ କିଛି ଗର୍ବ ଅହଙ୍କାର ନାହିଁ ବୋଲି ଶୁଣୁଁ। ସେ ନିଜେ କେବେ ଦର୍ପ କରନ୍ତି ନାହିଁ କିମ୍ବା ତାଙ୍କର ପ୍ରଜାଏ ସେପରି ନୁହନ୍ତି । ତେବେ ତାଙ୍କର ଏ ଲୋକେ କାହିଁକି ଏପରି ରାକ୍ଷସ କଥାଗୁଡ଼ିକ କହୁଛନ୍ତି ?

 

ଭଣିଛନ୍ତି ଋଷିଗଣ ରାକ୍ଷସୀ ସେ ବାଣୀ,

ମତ୍ତ ଦର୍ପବନ୍ତ ସଦା ଥା’ନ୍ତି ଯା ବଖାଣି ।

ସେହିଟି ସକଳ ବେର-ଉଦ୍ଭବ-ନିଦାନ

ବିଶ୍ୱଜନଙ୍କର ଧ୍ୱଂସ କରଇ କଲ୍ୟାଣ ।

 

ଏଣୁ ସେ ବାଣୀକି ନିନ୍ଦା କରୁଥିଲେ ଏବଂ ଇତରକୁ ସମାଦର କରୁଥିଲେ ।

 

ଯେଉଁ ବାଣୀ ମନୋରଥ କରଇ ପ୍ରସବ,

ଅଲକ୍ଷ୍ମୀ ଦୁଷ୍କୃତ ତଡ଼ି ବଢାଏ ଗୌରବ।

ସର୍ବଶୁଭ କାମଧେନୁ ସେ ବାଣୀକୁ ବୁଧେ

ସୂନୃତ ନାମେ ସୁଖ୍ୟାତ ଧରିଥାନ୍ତି ହୃଦେ ।

 

ସୁମ – କୁମାରଙ୍କର ସ୍ୱଭାବ ଅତି ପବିତ୍ର, ପୁଣି ବାଲ୍ମୀକି ମହର୍ଷିଙ୍କର ଶିଷ୍ୟ; ତେଣୁ ଏପରି ଋଷି ଜନୋଚିତ କଥା କହୁଛନ୍ତି ।

 

ଲବ-       ଆଉ ଦେଖ, ଚନ୍ଦ୍ରକେତୁ ! ତୁମ୍ଭେ ‘ପିତାଙ୍କ ପ୍ରତାପାଧିକ୍ୟରେ ସୁଦ୍ଧା ଅସହନ ଭାବ’ ବୋଲି ଯାହା କହିଲ, ଭଲା ମୁଁ ପଚାରୁଚି, କ୍ଷତ୍ରିୟଧର୍ମ କଣ ସ୍ଥିରତାମୂଳକ ଯେ ଠାଏଁ ସ୍ଥିର ରହିବ ?

 

ସୁମ- ତୁମ୍ଭେ ସେ ଇକ୍ଷ୍ୱାକୁକୁଳପତିଙ୍କୁ ଜାଣିନାହିଁ; ତେଣୁ ଏପରି କହିଲ । ଏବେ ଏ ଅତିରିକ୍ତ ପ୍ରସଙ୍ଗରୁ କ୍ଷାନ୍ତ ହୁଅ ।

 

ଏ ସୈନ୍ୟଦଳନେ             ଜନ୍ମିଅଛି ସତ୍ୟ

ତୁମ୍ଭର ଏ ଟାଣପଣ,

ତା ବୋଲି, ଭାର୍ଗବ-             ବିଜୟୀ ରାଘବେ

ଏ ଭାବ ନୁହେ ଭାଜନ !

 

ଲବ- (ହାସ୍ୟକରି) ଆର୍ଯ୍ୟା, ସେ ରାଜା ଭାର୍ଗବବିଜୟୀ, ଏଥିରୁ ଗୋଟାଏ ବା ବଡ଼ପଣ କଣ ପ୍ରକାଶ ପାଇଲା ?

 

ଲୋକେ ଜଣା, ବ୍ରାହ୍ମଣର ବାକ୍ୟେ ଯାହା ବଳ,

ବାହୁରେ ଯା ବଳ ତାହା କ୍ଷତ୍ରୀୟ କେବଳ ।

ଧରିଥିଲେ ଶସ୍ତ୍ର ପୁଣି ବ୍ରାହ୍ମଣ ଭାର୍ଗବ,

ତାଙ୍କୁ ଜିଣି ନୃମଣିଙ୍କ କିସ ବା ଗୌରବ !

 

ଚନ୍ଦ୍ର – (ସୋଦ୍‌ବେଗରେ) ଆର୍ଯ୍ୟ,ଆର୍ଯ୍ୟ, ଉତ୍ତର ଉପରେ ଉତ୍ତର କରି ଆଉ ଫଳ ନାହିଁ ।

 

ଏ କେହି ନୂତନ ଏକ ନର ଅବତାର,

ଭାର୍ଗବ ସୁବୀର ବୋଲି ଜ୍ଞାନ ନାହିଁ ଯାର ।

ସପତ ଭୁବନେ ଯେହୁ ଅଭୟ ଦକ୍ଷିଣା ଦେଲେ,

ସେ ତାତଙ୍କ ମଧ୍ୟ ଚରିତ ଅଜଣା !

 

ଲବ – କିଏ ବା ରଘୁପତିଙ୍କର ଚରିତ ଆଉ ମହିମା ନ ଜାଣେ ! ଯଦିଚ କିଛି କହିବାକୁ ଅଛି – ଆଚ୍ଛା, ନୋହିଲେ ଥାଉ ।

 

ସେମାନେ ଯେ ଗଣ୍ୟ ମାନ୍ୟ ଆଦର୍ଶଚରିତ,

ଛାର ଦୈତ୍ୟ-ସ୍ତିରୀବଧେ ଜଗତେ କୀର୍ତ୍ତିତ ।

ଖରଯୁଦ୍ଧେ ଦେଖାଇଲେ ବିକ୍ରମ ଯେମନ୍ତ,

ବାଳିବଧେ ଯେ କୌଶଳ, କାହୁଁ ଜଣା ମତେ ?

 

ଚନ୍ଦ୍ର - ରେ ଅମର୍ଯ୍ୟାଦା ! ତାତଙ୍କୁ ଅପବାଦ ଦେଇ ଅତିରେକରେ ଦର୍ପ ଦେଖାଉଛୁ ।

 

ଲବ – ଆରେ, ପ୍ରତି ପୁଣି ଏ ଭ୍ରୁକୁଟୀ ?

 

ସୁମ – ଆରେ ! କହୁଁ କହୁଁ ଏ ଦୁହିଁଙ୍କର କ୍ରୋଧ ତେଜି ଉଠିଲା ! ଏଇ ଦେଖ,

 

ଭାବ ଅନୁରୁପ             କମ୍ପ ଚମକାଏ            ଶିଖାବନ୍ଧନ ମସ୍ତକେ,

ଲୋହିତ କମଳ             ତୁଲ୍ୟେ ବେନି ଚକ୍ଷୁ

ରକ୍ତିମା ଧରେ ଅଧିକେ !

ତାଣ୍ଡବିତ ଭୂରୁ-             ଯୁଗ ଯୋଗେ ଚାଣ୍ଡେ

ବଦନର ଛବି ଦିଶେ,

ସକଳଙ୍କ ଶଶୀ             ଅବା ଊର୍ଦ୍ଧ୍ୱଚଳ

ଭୃଙ୍ଗଯୁତ ପଦ୍ମ କି ସେ ?

(ସମସ୍ତଙ୍କର ପ୍ରସ୍ଥାନ)

 

ଇତି ‘କୁମାରବିକ୍ରମ’ ନାମକ ପଞ୍ଚକ ଅଙ୍କ ।

 

ଷଷ୍ଠ ଅଙ୍କ

 

(ବ୍ୟୋମଯାନରେ ଉଜ୍ଜ୍ୱଳ ବେଶଧାରୀ ବିଦ୍ୟାଧର-ଯୁଗଳର ପ୍ରବେଶ)

 

ବିଦ୍ୟାଧର – ଅହୋ ! ଏହି ସୂର୍ଯ୍ୟବଂଶୀୟ କୁମାର ଦୁହେଁ ଅକାଣ୍ଡ-କଳହରେ ପ୍ରଚଣ୍ଡ ହୋଇଉଠି କି ଅପୂର୍ବ କ୍ଷାତ୍ରତେଜ ଦେଖାଇଲା ! ଏହାଙ୍କ ବିକ୍ରମଦର୍ଶନରେ ଦେବାସୁର ସମସ୍ତେ ଉଦ୍‌ଭ୍ରାନ୍ତ ହୋଇଗଲେ ! ପ୍ରିୟେ, ଏଇ ଦେଖ ଦେଖ !

 

ଦୁର୍ବହ ଶରାସନ ଟଙ୍କାରୁ ବୀରେ

ଝଣଝଣ କିଙ୍କିଣୀନାଦେ ଗମ୍ଭୀରେ ।

କରାଳ କୋଳାହଳ ତହୁଁ ଉଠଇ,

ଶରକ୍ଷେପଣେ ଶିରେ ଶିଖା କମ୍ପଇ ।

ଅତି ଅଦ୍ଭୁତଭାବେ ଜମେ ସମର

ସକଳ ଚରାଚର ସଂତ୍ରାସକର ।

 

ବେନିଙ୍କ ମଙ୍ଗଳ             ନିମନ୍ତେ ଶୁଭିଲା

ଏବେ ସ୍ୱର୍ଗ-ଦୁନ୍ଦୁଭିର,

ଦୁମ୍‌ଦୁମା ଶବଦ             ମେଘମନ୍ଦ୍ର ପ୍ରାୟ

କରି ଶ୍ରବଣ ବଧିର ।

 

ତାହାହେଲେ ଏହି ବୀରଦୁହିଁଙ୍କ ଉପରେ ବିକଚ କନକ କମଳ ମନୋହର ତରୁଣ ସୁରତରୁ ମୁକୁଳ ମକରନ୍ଦ ସୁନ୍ଦର ଅବିରଳ ପୁଷ୍ପପାତ କର ।

 

ବିଦ୍ୟାଧାରୀ – ଏ କ’ଣ ଚାହୁଁ ଚାହୁଁ ଆକାଶଟାଯାକ କାହିଁକି ବିଜୁଳି ପରି ଉଜ୍ଜ୍ୱଳ ଦିଶିଗଲା !

 

ବିଦ୍ୟାଧର – ତାହାହେଲେ କଣ ଆଜି –

 

ବିଶ୍ୱାମିତ୍ରଙ୍କର             ଶାଣଯନ୍ତ୍ରଦିଆ

ଆଦିତ୍ୟ ପ୍ରାୟ ଉଜ୍ଜ୍ୱଳ,

ନୀଳ ଲୋହିତଙ୍କ             ଲଲାଟ ଲୋଚନ

ଫାଟେ ଉଦ୍‌ଗାରି ଅନଳ ?

 

(ଚିନ୍ତାକରି) ଓହୋ, ଜାଣିଲି । ବତ୍ସ ଚନ୍ଦ୍ରକେତୁ ଆଗ୍ନେୟ ଅସ୍ତ୍ର ପ୍ରୟୋଗ କଲେ – ଯାହା ଏହି ଅଗ୍ନିମୟ ଛଟା ଘୋଟିଗଲା । ଏବେ ସୁଦ୍ଧା ଦେଖ,

 

ପଳାଇଯାଉଛି ଦୂରେ ବିମାନନିକର

ଦଗ୍‌ଧ ବିବର୍ଣ୍ଣ ଦିଶେ କେତନ ଚାମର !

ଦିଶି ଏହି ଅଗ୍ନିକଣା ଧ୍ୱଜାଙ୍କୁଶପଟେ

କ୍ଷଣେ କୁଙ୍କୁମ ଚୂର୍ଣ୍ଣର ଛୁରଣ ପ୍ରକଟେ ।

 

କି ଆଶ୍ଚର୍ଯ୍ୟ ! ବେଗରେ ଉତ୍‌କ୍ଷିପ୍ତ ହୀରକଖଣ୍ଡ ପ୍ରାୟ ଉତ୍ତାଳ ସ୍ଫୁଲିଙ୍ଗମୟ ଲେଲହାନ ମହାଶିଖା ବିସ୍ତାର କରି ଏବେ ଭଗବାନ ଅଗ୍ନି ପ୍ରାଦୁର୍ଭୁତ ହେଲେ ! ଏହାଙ୍କର ତାପ ସର୍ବଥା ଅତି ପ୍ରଚଣ୍ଡ । ତାହାହେଲେ ପ୍ରିୟାଙ୍କୁ ନିଜ ଅଙ୍ଗରେ ଆଚ୍ଛାଦାନ କରି ଦୂରକୁ ଚାଲିଯାଏ ।      (ତଥାକରଣ)

 

ବିଦ୍ୟାଧାରୀ – ଆହା ! ପ୍ରାଣନାଥଙ୍କର ଏହି ଅଙ୍ଗସ୍ପର୍ଶ ମୁକ୍ତାଫଳ ପରି ଅତି ଶୀତଳ ଆଉ ମାଂସଳ ! ସେହି ଆନନ୍ଦରେ ନୟନ ମୁଦି ମୋର ଏ ସନ୍ତାପ କେଣେ ଦୁର ହୋଇଗଲା ।

 

ବିଦ୍ୟାଧର – ଅୟି ପ୍ରିୟେ ! ସ୍ଥଳରେ ମୁଁ କଣ ବା କଲି ! ଅଥବା,

 

କିଛି ନ କଲେହେଁ ହରେ ସର୍ବ ଦୁଃଖ

ଯାର ମୁଖ ଦରଶନ

ବଚନ ଅତୀତ ସେ କି ଧନ ତାର,

ଯେ ଯାହାର ପ୍ରିୟଜନ ।

 

ବିଦ୍ୟାଧରୀ – ଏ କଣ ? ପୁଣି ଆକାଶଟାଯାକ କାହିଁକି କଳା ମେଘ ଘୋଟିଗଲା ! ଏ ମେଘ ସବୁ ଠିକ୍‌ ମୟୁରର କଣ୍ଡ ସମାନ ଦିଶୁଚି – ଆଉ ସେଥିରେ କେଡ଼େ ଚଞ୍ଚଳ ବିଜୁଳି ଖେଳିଯାଉଚି !

 

ବିଦ୍ୟାଧର – ଓହୋ, କୁମାର ଲବ ବାରୁଣ ଅସ୍ତ୍ର ପ୍ରୟୋଗ କଲେ ପରା ! ତାହାରି ପ୍ରଭାବ ଏ । ଏ କଣ ? ଅବିରଳ ଧାରାପାତରେ ସେ ଆଗ୍ନେୟାସ୍ତ୍ର ଏବେ ଶାନ୍ତ ପଡ଼ିଗଲା ।

 

ବିଦ୍ୟାଧରୀ – ଭଲ ହେଲା, ଭଲ ହେଲା ।

 

ବିଦ୍ୟାଧର – ଓହୋ ! ସବୁ ଅତିରିକ୍ତ ହେବା ବଡ଼ ଦୋଷ । ଯେହେତୁ କଳ୍ପାନ୍ତେ ଯୋଗାସନସ୍ଥ ଭଗବାନ୍‌ ନାରାୟଣଙ୍କ ଉଦର ଅବା ସର୍ବଗ୍ରାସୀ କାଳର ବିକରାଳ ମୁଖବିବର ପ୍ରାୟ ଏହି ପ୍ରବଳ ବାତଚାଳିତ ସମୁଦ୍ର ମେଘାବଳୀରେ ନୀରନ୍ଧ୍ର ଅନ୍ଧକାର ମଧ୍ୟରେ ରୁନ୍ଧି ହୋଇ ସମସ୍ତ ପ୍ରାଣୀ ଏବେ ଥରହର ହେଲେଣି ! ବତ୍ସ ଚନ୍ଦ୍ରକେତୋ, ସାଧୁ ! ସାଧୁ ! ବେଳ ଜାଣି ବାୟବ୍ୟାସ୍ତ୍ର ପେଷିଚ ।

 

ସକଳ ପ୍ରପଞ୍ଚ ଯଥା ବ୍ରହ୍ମେ ଲୀନ

ଜ୍ଞାନବଳେ ଜାଣି,

ତଥା ଏ ମରୁତେ କାହିଁ ମେଘରାଶି

ଲୁପ୍ତ କଲ ଆଣି ।

 

ବିଦ୍ୟାଧାରୀ – ନାଥ, ଏବେ ଏ ପୁଣି କିଏ ବେଗରେ ତେଣୁ ପତାକା ଉଡ଼ାଇ ଉଡ଼ାଇ ଆସିଲେ, ଆଉ ମଧୁର ବଚନରେ ଦୂରରୁ ମନାକରି ସେହି ଦୁହିଁଙ୍କ ମଝିରେ ରଥରୁ ଓହ୍ଲାଇଲେ ।

 

ବିଦ୍ୟାଧର – ଏ ସ୍ୱୟଂ ରଘୁପତି, ଶମ୍ବୁକ ବଧରୁ ବାହୁଡ଼ିଲେ ।

 

ଏ ମହାପୁରୁଷଙ୍କ ଯୋଗ୍ୟ ବଚନ

ଶୁଣି ବେନିଏ ବେଗେ କଲେ ବର୍ଜନ ।

ତାହାଙ୍କ ଗୌରବରେ ଶର ପ୍ରହାର;

ଚରଣେ ଚନ୍ଦ୍ରକେତୁ; ନୃପିତଙ୍କର

ସୁତ ସଙ୍ଗମେ ଏଥି ହେଉ ମଙ୍ଗଳ ।

(ଉଭୟଙ୍କର ପ୍ରସ୍ଥାନ)

 

ବିଷ୍କମ୍ଭକ

(ରାମ, ଲବ ଏବଂ ପ୍ରଣତ ଚନ୍ଦ୍ରକେତୁର ପ୍ରବେଶ)

 

ରାମ –      (ପୁଷ୍ପକ ରଥରୁ ଅବତରଣ କରି)

ଦିନକର-କୁଳଚନ୍ଦ୍ର ! ଚନ୍ଦ୍ରକେତୁ ମୋର,

ଆସ ବତ୍ସ ! ଦୂଢେ ମୋତେ ଆଲିଙ୍ଗ ସତ୍ୱର ।

ତୁଷାର-ଶୀତଳେ ତୋର ଅଙ୍ଗସ୍ପର୍ଶେ ଭଲା

କ୍ଷଣେ ଶାନ୍ତି ଭଜୁ ମୋର ଏ ମାନସଜ୍ୱାଳା ।

 

ଚନ୍ଦ୍ର – ଅଭିବାଦନ କରୁଛି ।

 

ରାମ – (ଉଠାଇ ସ୍ନେହରେ ସଲୋତକେ ଆଲିଙ୍ଗନ କରି) ଦିବ୍ୟାସ୍ତ୍ରଧାରି ! ତୁମ୍ଭର କୁଶଳ ତ ?

 

ଚନ୍ଦ୍ର – ଏହି ଅଦ୍ଭୁତ ଶକ୍ତିଶାଳୀ ପ୍ରିୟଦର୍ଶନ ଲବର ଅଭ୍ୟୁଦୟଦର୍ଶନରେ ମୋହର କୁଶଳ । ତେବେ ଏହି ନିବେଦନ କରୁଚି ଯେ, ମୋହ ଅପେକ୍ଷା କିଛି ବିଶେଷ ନରଖି ଆହୁରି ପ୍ରିୟଦୃଷ୍ଟିରେ ଏହି ମହାବୀରକୁ ଦେଖନ୍ତୁ ।

 

ରାମ – (ଲବକୁ ନୀରିକ୍ଷଣ କରି) ଆହା ! ବତ୍ସର ଏ ବୟସ୍ୟଟିର ଅତି ମଧୁର ମୂର୍ତ୍ତି ।

 

ଲୋକେ ପରିତ୍ରାଣ             ନିମନ୍ତେ ଉଦେ କି

ଧନୁର୍ବେଦ ମୂର୍ତ୍ତି ଧରି,

ଅବା ବ୍ରହ୍ମାଣ୍ଡ            ଉଦ୍ଧାର ଆଶୟେ

କ୍ଷାତଧର୍ମ ଅବତରି ?

ସକଳ ଶକତି             ମିଳିଲେ ଏଥି କି

କିବା ସର୍ବ-ଗୁଣରାଶି,

ଅବା ଜଗତର             ପୁଣ୍ୟ ଉପାଦାନ

ରୁଣ୍ଡିଭୂତ ହେଲେ ଆସି ?

 

ଲବ – ଅହୋ ! ଏହି ମହାପୁରୁଷଙ୍କର କି ପୁଣ୍ୟ ପ୍ରଭାବ !

 

ଆଶ୍ୱାସନା ସ୍ନେହ ଭକତି ଆବର,

ସାର ଧରମର ଏକଇ ଆଧର,

ଅବା ସତେ ମୂର୍ତ୍ତିମତୀ ପ୍ରସନ୍ନତା

ବିଜେକଲେ ଏ କି ମରତ୍ୟେ ଦେବତା !

କି ଆଶ୍ଚର୍ଯ୍ୟ !

କାହିଁ ଥମିଗଲା ବିରୋଧ,

ଏବେ ସୁଖ ପ୍ରସରେ,

ଉଗ୍ରପଣ କାହିଁ ଛପିଲା,

ନମ୍ରଭାବ ସଞ୍ଚରେ ।

ଏହାଙ୍କ ଦର୍ଶନେ କ୍ଷଣକେ

ଏବେ ହେଲି ମୁଁ ବଶ,

ବଚନ ଅତୀତ ମହତ

ଲୋକେ ଏ କି ଉତ୍କର୍ଷ !

 

ରାମ- ଏ କଣ ! ବିନା କାରଣରେ ହଠାତ୍‌ କାହୁଁ ମୋହର ଦୁଃଖର ଉପଶମ ସଙ୍ଗେ ଏହା ପ୍ରତି ସ୍ନେହ ବଢିଲା ! ତେବେ ସ୍ନେହକୁ କାରଣସାପେକ୍ଷ ବୋଲି ଯାହା କହନ୍ତି, ତାହା ଅସିଦ୍ଧ ।

 

କି ଏକ ଅନ୍ତର କାରଣ

ଛାନ୍ଦେ ପ୍ରାଣୀଙ୍କୁ ଭବେ,

ବାହାରକୁ କେବେ ଆଶ୍ରୟ

ପ୍ରୀତି ନ କରେ ଲବେ,

ଆଦିତ୍ୟ ଉଦୟେ କମଳ

ବିକଶଇ କାସାରେ,

ଦ୍ରବେ ଚନ୍ଦ୍ରକାନ୍ତ ଉଇଁଲେ

ନିଶାକର ନିଶାରେ ।

 

ଲବ- ଚନ୍ଦ୍ରକେତୋ ! ଏ ମହାଭାଗ କିଏ ?

 

ଚନ୍ଦ୍ର – ପ୍ରିୟ ବୟସ୍ୟ, ପୁଜ୍ୟପାଦ ତାତ ପରା ସେ ?

 

ଲବ – ତାହାହେଲେ ଧର୍ମତଃ ମୋହର ମଧ୍ୟ ତାତ । ଯେହେତୁ ତୁମ୍ଭେ ପ୍ରିୟ ବୟସ୍ୟ ବୋଲି କହିଲ । କିନ୍ତୁ ରାମାୟଣରେ ସେ ଚାରିଜଣ ପୁରୁଷ ତୁମ୍ଭର ତାତପଦବାଚ୍ୟ; ଏ ତନ୍ମଧ୍ୟରେ କିଏ କହ ।

 

ଚନ୍ଦ୍ର - ଏହି ପୁଜ୍ୟପାଦ ଜ୍ୟେଷ୍ଠ ତାତ ।

 

ଲବ – (ସାନନ୍ଦରେ ) କଣ ? ଏହି ରଘୁନାଥ ! ବଡ଼ ଭାଗ୍ୟ, ଆଜି ମୋର ସୁପ୍ରଭାତ, ଆଜି ଯାହା ଦେବଙ୍କୁ ଦେଖିଲି । (ବିନୟ ଏବଂ ଉତ୍‌କୁଣ୍ଠାରେ ଦେଖି) ତାତ ! ବାଲ୍ମୀକିଙ୍କ ଶିଷ୍ୟ ଲବ ଅଭିବାଦନ କରୁଚି ।

 

ରାମ – (ସ୍ନେହରେ) ଆୟୁଷ୍ମାନ୍ ! ଆସ ଆସ ! (ସସ୍ନେହେ ଆଲିଙ୍ଗନ କର) ।

 

ସୁଢଳ ମାଂସର ପୀନ କମଳ-

ଗର୍ଭଦଳ ତୁଲେ ସ୍ନିଗ୍‌ଧ କୋମଳ,

ଚନ୍ଦନ ଚାନ୍ଦନୀ ନିନ୍ଦି ଶୀତଳ,

ଅମଳ ସୁନ୍ଦର ଆହା ତୁମ୍ଭର

ଏ ଅଙ୍ଗ-ପରଶ

ଭରିଦିଏ ମୋର ହୃଦେ ହରଷ ।

 

ଲବ – (ସ୍ୱଗତ) ଆମ୍ଭମାନଙ୍କ ପରି ଲୋକଙ୍କ ପ୍ରତି ଏହାଙ୍କର ବିନା କାରଣରେ ଏପରି ସ୍ନେହ ! ମୁଁ ମୂର୍ଖ ଏହାଙ୍କ ପ୍ରତି ଦ୍ରୋହ ଆଚରଣ କରୁଥିଲି ।

ଆୟୁଧ ଗ୍ରହଣକାଳରୁ ଏକ ମହାଦୁର୍ଯ୍ୟୋଗ ପଡ଼ିଗଲା । (ପ୍ରକଶ୍ୟେ) ତାତ, ଲବର ମୁର୍ଖତା କ୍ଷମା କରନ୍ତୁ ।

 

ରାମ – କି ଅପରାଧ କରିଛ, ବତ୍ସ ?

 

ଚନ୍ଦ୍ର – ଅଶ୍ୱର ଅନୁଯାତ୍ରିକଙ୍କଠାରୁ ତାତଙ୍କ ପ୍ରତାପର କଥର ଶୁଣି ଏ ବୀରପଣିଆ ଦେଖାଇଥିଲେ ।

 

ରାମ –       ଏହା ତ କ୍ଷତ୍ରିୟର ଭୂଷଣ ।

ତେଜସ୍ୱୀ ନ ସହେ ତେଜ ଅପର କାହାରି,

ନୁହଇ କୃତ୍ରିମ ଏହା, ସ୍ୱଭାବ ତାହାରି ।

ଯେତେ ଢାଳୁଥିବେ ତେଜ ଦେବ ଦିବାକର,

ହଟିଣ କି ସୂର୍ଯ୍ୟକାନ୍ତ ଉଗାରେ ଅନଳ ?

 

ଚନ୍ଦ୍ର – ତାତ ! ନ ସହିବା ଏକା ଏହିପରି ବୀରକୁ ଶୋଭାପାଏ । ଦେଖନ୍ତୁ, ପ୍ରିୟ ବୟସ୍ୟ ଜୃମ୍ଭକାସ୍ତ୍ର ପ୍ରୟୋଗ ଦ୍ୱାରା ସମସ୍ତ ସୈନିକମାନଙ୍କୁ ନିଷ୍ପଦ ଆଉ ସ୍ତମ୍ଭିତ କରିପକାଇଛନ୍ତି ।

 

ରାମ (ଦେଖିକରି) ବତ୍ସ ଲବ ! ଅସ୍ତ୍ରମାନ ପ୍ରତିସଂହାର କର ! ତୁମ୍ଭେ ମଧ୍ୟ ଚନ୍ଦ୍ରକେତୋ, ଅକରାଣ ଲଜ୍ଜିତ ଏହି ସୈନ୍ୟମାନଙ୍କୁ ସାନ୍ତ୍ୱନା ଦିଅ ।

 

ଲବ – ଯେ ଆଜ୍ଞା, ତାତ । (ଏହା କହି ଧ୍ୟାନାଭିନୟ)

 

ଚନ୍ଦ୍ର – ଯେ ଆଜ୍ଞା ହେଲା । (ଏହା କହି ପ୍ରସ୍ଥାନ)

 

ଲବ – ଅସ୍ତ୍ର ସଂହାର କଲି ।

 

ରାମ – ବତ୍ସ ! ଏହି ବିଜ୍ଞାନମୟ ଅସ୍ତ୍ରମାନଙ୍କର ପ୍ରୟୋଗ ଆଉ ସଂହାର ସବୁ ମନ୍ତ୍ରସମ୍ବଳିତ ।

 

ବ୍ରହ୍ମାଦି ଦେବଗଣ ଦାନବ-ଅରି

ବେଦହିତାର୍ଥେ ଘୋର ତପ ଆଚରି

ଲଭିଲେ ଅବଶେଷେ ଏ ଅସ୍ତ୍ରମାନ

ନିଜର ତପୋମୟ ତେଜ-ପ୍ରମାଣ ।

 

ଭଗବାନ୍‌ କୃଶାଶ୍ୱ ଏହି ମନ୍ତ୍ର ପାରାୟଣ କରି ସହସ୍ରାଧିକ ବର୍ଷ ପରେ କୌଶିକ ବିଶ୍ୱାମିତ୍ରଙ୍କୁ ଆଉ ସେ ମୋତେ ଉପଦେଶ କରିଥିଲେ; ଏହି ତ ଏହାର ପୁର୍ବାନୁକ୍ରମ । କୁମାର ପୁଣି କାହାଠାରୁ ଶିକ୍ଷା ପାଇଲେ, ଏହି ମୋର ପ୍ରଶ୍ନ।

ଲବ- ଆମ୍ଭ ଦୁହିଁଙ୍କର ଅସ୍ତ୍ରମାନ ସ୍ୱତଃପ୍ରକାଶ ।

 

ରାମ – (ଚିନ୍ତାକରି) ତେବେ ଏହା ମହାପୁଣ୍ୟର କିଛି ପ୍ରଭାବ ହୋଇପାରେ; କିନ୍ତୁ ଦ୍ୱିବଚନ କାହିଁକି ?

 

ଲବ- ଆମ୍ଭେ ଦୁଇ ଯମଜ ଭ୍ରାତା।

ରାମ – ତା’ହେଲେ ସେ ଆରଟି କେଉଁଠି ? (ନେପଥ୍ୟ -) ଭାଣ୍ଡ୍ୟାୟନ ! ଭାଣ୍ଡ୍ୟାୟନ !

 

ନରେନ୍ଦ୍ର ସଇନ୍ୟ             ସଙ୍ଗେ ଆୟୁଷ୍ମାନ

ଲବର ଆୟୁଧ-ରଙ୍ଗ,

ବୋଲି କହିଲ ଯା        ସଖେ, ସତ୍ୟ କି ତା ?

‘‘କଣ ! ସତ୍ୟ ଏ ପ୍ରସଙ୍ଗ ।’’

ତେବେ ଆଜି ଭବୁଁ             ଅସ୍ତକୁ ଭଜିବା

ନିଶ୍ଚେ ଅଧିରା ପଦ,

ଆଜି କ୍ଷତ୍ରିୟଙ୍କ             ଶସ୍ତ୍ର ଅଗ୍ନିଶିଖା

ଭଜିବ ନିର୍ବାଣ ପଦ ।

 

ରାମ –       କିଏ ଏ ଇନ୍ଦ୍ରନୀଳ-ଶ୍ୟାମଳକାନ୍ତି !

ସ୍ୱର ଶୁଣନ୍ତେ ଅଙ୍ଗେ ରୋମାଳୀପନ୍ତି

ନବୀନ ନୀଳ-ନୀରଧରଗର୍ଜନେ

ମୁକୁଳିତ କଦମ୍ବ ଦଶାକୁ ଘନେ ।

 

ଲବ – ସେ ମୋହର ଜ୍ୟାୟନ୍‌ ଆର୍ଯ୍ୟ କୁଶ । ଭରତମୁନିଙ୍କ ଆଶ୍ରମରୁ ଆସିଲେ ।

 

ରାମ – (କୁତୂହଳେ) ବତ୍ସ ! ସେ ଆୟୁଷ୍ମାନ୍‌ଙ୍କୁ ମଧ୍ୟ ଏଠାକୁ ଡ଼ାକ ।

 

ଲବ – ହଉ । (ପରିକ୍ରମଣ,କୁଶର ପ୍ରବେଶ)

 

କୁଶ – (ଅଦ୍ଭୁତ ହର୍ଷ ଓ ଧୈର୍ଯ୍ୟସହକାରେ ଧନୁ ଆସ୍ଫାଳି)

 

ବୈବସୁତ ମନୁକୁଳେ ଜନମ ଯା’ଙ୍କର,

ଦୈତଧେ ବିତରିଲ ଯେ ଅଭୟ କର,

ସ୍ୱୟଂ ଦେବରାଜ ଇନ୍ଦ୍ରେ ଯାହାଙ୍କ ପ୍ରତାପ

ଦର୍ପିର ଦର୍ପହରଣେ ଜ୍ୱଳନ୍ତ ଅମାପ,

ତା ସୂର୍ଯ୍ୟବଂଶୀଙ୍କ ସଙ୍ଗେ ଯେବେ ହେବ ରଣ,

ତେବେ ଏ ଦୀପ୍ତାସ୍ତ୍ରୋଜ୍ଜ୍ୱଳ ଧନୁ ମୋର ଧନ୍ୟ ।

ବିକଟଭାବରେ ପରିକ୍ରମଣ)

 

ରାମ – ଅହୋ ! ଏହି କ୍ଷତ୍ରିୟ ଶିଶୁଠାରେ କି ଅତିରିକ୍ତ ପୌରୁଷ !

 

ଦୃଷ୍ଟିରେ ଧରାକୁ ଯେହ୍ନେ ସରା ପ୍ରାୟ ମଣେ,

ଭୂମିକି ଲସାଏ ଧୀର ଉଦ୍ଧତ ଗମନେ ।

ବାଲ୍ୟକାଳେ ଗିରି ତୁଲ୍ୟ ଗୌରବ ଏ ଧରେ,

ଜାତ କି ଏ ବୀରରସ, ଦର୍ପ ବା ଳୋକରେ ?

 

ଲବ – (ପାଖକୁ ଯାଇ) ଆର୍ଯ୍ୟଙ୍କର ଜୟ ହେଉ ।

 

କୁଶ – ଆୟୁଷ୍ମାନ ! ଯୁଦ୍ଧ ଯୁଦ୍ଧ ବୋଲି ଏ କି ସମ୍ବାଦ ?

 

ଲବ – ସେ ଯାହାହେଉ, ଏଠାରେ ଆର୍ଯ୍ୟ, ଉଗ୍ରଭାବ ଛାଡ଼ିଦେଇ ବିନୟଭାବ ବହି ରହନ୍ତୁ ।

 

କୁଶ – କାହଁକି ?

 

ଲବ – ଏଠାରେ ସ୍ୱୟଂ ଦେବ ରାମଚନ୍ଦ୍ର ଠିଆ ହୋଇଛନ୍ତି। ସେ ପୁଣି ଆମ୍ଭ ଦୁହିଁଙ୍କି ବଡ଼ ସ୍ନେହ କରୁଛନ୍ତି । ଆଉ ମଧ୍ୟ ଆପଣଙ୍କୁ ପାଶକୁ ଆଣିବା ପାଇଁ ଉତ୍ସୁକ ଥିଲେ ।

 

କୁଶ – (ତର୍କଣା କରି) ସେ ରାମାୟଣ-କଥାର ନାୟକ ବ୍ରହ୍ମାଣ୍ଡପାଳକ ନା ?

 

ଲବ – ହଁ-ହଁ ।

 

କୁଶ – ସେ ମହାତ୍ମାଙ୍କର ପୁଣ୍ୟନର୍ଶନ ବାଞ୍ଛନୀୟ; କିନ୍ତୁ କିପରି ଭାବରେ ଯିବି, ତାହା ଅବଧାରଣ କରିପାରୁନାହିଁ।

 

ଲବ – ଗୁରୁଜନଙ୍କ ନିକଟକୁ ଯେପରି ଉପଚାରରେ ।

 

କୁଶ – ଏହା କାହିଁକି କହିଲ ?

 

ଲବ – ଉର୍ମିଳାତନୟ ବୀର ଚନ୍ଦ୍ରକେତୁ ଅତି ସୁଜନ । ସେ ମୋତେ ପ୍ରିୟ ବୟସ୍ୟ ବୋଲି ବଡ଼ ଆଦର କରିଚନ୍ତି। ତାଙ୍କରି ସେହି ସମ୍ପର୍କରୁ ଏ ରାଜର୍ଷି ଧର୍ମତାତ ହେଲେ ।

 

କୁଶ – ତାହାହେଲେ ବର୍ତ୍ତମାନ ରାଜନ୍ୟଙ୍କୁ ମାନ୍ୟ କରିବାକୁ ହେବ ?

 

ଲବ – ଆପଣ ଆଗେ ସେ ମହାପୁରୁଷଙ୍କୁ ଦେଖନ୍ତୁ ! କିପରି ଆକାର, କି ତେଜ, କେଡ଼େ ଗାମ୍ଭୀର୍ଯ୍ୟ ! ଏହା ସବୁ ଦେଖିଲେ ଅନୁମାନ ହେବ, ଯଥାର୍ଥରେ ସେ ସବୁ ଏ ବିବିଧ ଅଲୌକିକ କାର୍ଯ୍ୟମାନ ସାଧନ କରିଅଛନ୍ତି।

 

କୁଶ – (ନୀରକ୍ଷଣ କରି)

 

ଆହା ! ଏହାଙ୍କ ରୂପ କି ଆହ୍ଲାଦାନ

ଶ୍ରୀଅଙ୍ଗୁ ପ୍ରସରଇ ଜ୍ୟୋତି ପାବନ !

ଯୋଗ୍ୟ ସ୍ଥାନରେ ଦେବୀ ବାଣୀଙ୍କୁ ଆଣି

ନିହିଲେ ରାମାୟଣ-କଥା ବିନ୍ଧାଣୀ ।

 

(ପାଖକୁ ଯାଇ) ତାତ ! ବାଲ୍ମୀକିଶିଷ୍ୟ କୁଶ ଅଭିବାଦନ କରୁଅଛି ।

 

ରାମ – ଆସ ଆୟୁଷ୍ମାନ୍‌ !

 

ନବାମ୍ବୁଦ ସ୍ନିଗଧ ତବ ଅପଘନ

ଆଲିଙ୍ଗନ ଆଶେ ଉତ୍ସୁକ ଏ ଜନ !

 

(ଆଲିଙ୍ଗନ କରି ସ୍ୱଗତ) ତାହାହେଲେ କଣ ଏ ବାଳକ ଅପତ୍ୟ ?

 

ଅଙ୍ଗୁ ଅଙ୍ଗୁ ସ୍ନେହେ ଝରି କି ମୋର ଶରୀରସାର

ଅବା ମୋ ଚୈତନ୍ୟୁ ଜନ୍ମିଲା ଏହି ନବାବତାର !

ଆନନ୍ଦେ ମନ୍ଥନେ ହୃଦୟେ-ସାରୁ ଏ କିବା ଜାତ!

ଆଲିଙ୍ଗନେ ଅଙ୍ଗ ଢାଳଇ ସୁଧାରସ-ପ୍ରପାତ ।

 

ଲବ – ତାତ ! ସୂର୍ଯ୍ୟ ବର୍ତ୍ତମାନ ମସ୍ତକ ଉପରକୁ ଆସିଲେଣି । ମୁହୂର୍ତ୍ତେ ତାହାହେଲେ ଶାଳ-ଛାୟାରେ ଆସନ ଗ୍ରହଣ କରନ୍ତୁ।

 

ରାମ – ଆଚ୍ଛା, ବତ୍ସର ଯେ ରୁଚି ।

(ପରିକ୍ରମଣପୂର୍ବକ ସମସ୍ତଙ୍କର ଉପବେଶନ)

 

ରାମ – (ସ୍ୱଗତ)

ବିନୟ ଥାଇ ବି            ଗମନ ଆସନ

ଆଦି କୁଶ-ଲବଙ୍କର,

ଚେତାଇ ଦେଉଛି             ଯାବତ ଲକ୍ଷଣ

ରାଜ୍ୟାଧିପତିପଣର ।

 

ଅଯତ୍ନସିଦ୍ଧ ଏହି ରାଜଶ୍ରୀଠାଣି,

ଚିହ୍ନାଏ କମନୀୟ ତନୁକୁ ଜାଣି ।

ଅମ୍ଳାନ ରତନକୁ ଯେହ୍ନେ ତା କରେ,

ମରନ୍ଦବିଦୁ ଅବା ସଜ କମଳେ ।

 

କିନ୍ତୁ ଏ ଦୁହିଁଙ୍କଠାରେ ବିଶେଷତଃ ରଘୁକୂଳ କୁମାରଙ୍କ ସାଦୃଶ୍ୟ ଦେଖୁଅଛି !

 

ବପୁ ଦିଶେ କପୋତ-କଣ୍ଠ-ଶ୍ୟାମଳ ।

ବୃଷଠାଣିରେ ଆହା ! କେଡ଼େ ସୁଢଳ ।

ଦୃଷ୍ଟି ପ୍ରସନ୍ନ ସିଂହ-ପ୍ରାୟ ନିଶ୍ଚଳ ।

ଧ୍ୱନି ଶୁଭ ମୃଦଙ୍ଗ-ତୁଲ୍ୟ ମାଂସଳ ।

 

(ନିରୀକ୍ଷଣ କରି) ଆରେ ! କେବଳ ତ ମୋହରି ଅଙ୍ଗ ସହିତ ଏ ଆକୃତିର ସାଦୃଶ୍ୟ ନାହିଁ ?

 

ପ୍ରିୟା ଜାନକୀର ମଧ୍ୟ ସେ ସକଳ

ଏ ବେନି ବାଳକେ ଅଛି ଅବିକଳ,

ନିଠାଇ ଚାହଁଲେ ମନେହୁଏ ପ୍ରତେ,

ପୁଣି କି ଦିଶିଲା ସତେ ମୋ ପୁରତେ,

ନବୀନ ନଳିନ ସମ ଶୋଭାବନ

ପ୍ରିୟତମାଙ୍କର ସେ ଚାରୁ ବଦନ !

ମୁକ୍ତାଫଳ ତୁଲ୍ୟ ବିମଳ ଦନ୍ତାଳୀରେ ଦନ୍ତୁର

ଏ ସେହି ଅଧର ଗଠନ, ଏଇ ସେହି ମଞ୍ଜୁଳ ।

ଶ୍ରବଣଯୁଗଳ, ଯଦ୍ୟପି ଏହି ସେହି ମଞ୍ଜୁଳ ।

କିଞ୍ଚିତ ଅସିତ ଲୋହିତ ତଥାପି ଏ ଶୋଭନ ।

 

ତାହାହେଲେ ଯେଉଁଠାରେ ଦେବୀଙ୍କି ବିସର୍ଜନ କରାଯାଇଅଛି, ତାହା ବାଲ୍ମିକୀ ଆଶ୍ରମ । ଏ ଦୁହିଁଙ୍କର ତ ଏହି ଆକୃତି ! ସ୍ୱତଃପ୍ରକାଶ ଅସ୍ତ୍ର ବୋଲି ଯାହା କି କହିଲେ, ସେ ବିଷୟରେ ମୁଁ ବିଚାରୁଛି ଆଉ କଣ ସେ ଚିତ୍ରଦର୍ଶନ ସମୟରେ ଗର୍ଭବତୀ ସୀତାଙ୍କୁ ଏକଥା କହିବାରୁ ଜାଣିଥିବେ ? ବିନାଗୁରୁରେ ଏ ଅସ୍ତ୍ର ସିଦ୍ଧ ହୁଏ ବୋଲି ପ୍ରାଚୀନ ପୁରୁଷଙ୍କଠାରୁ ଶୁଣାଯାଏ । ଆଉ ଦେବୀଙ୍କର ଗର୍ଭଭାର ଦ୍ୱିଧା ପ୍ରତିପନ୍ନ ହୋଇଥିଲା । ମୋ ଆନ୍ଦୋଳିତ ଆତ୍ମାରେ ଅଧିକତର ବିଶ୍ୱାସ ଜନ୍ମାଇ ଦେଉଛି।

 

(ସଲୋତକେ)       ପରିଚୟ ଯେତିକି ଗାଢ ହୋଇଲା,

ସ୍ନେହ ବଢିଲା ତେତେ ଲଜ୍ଜା ତୁଟିଲା ।

ଏ କାନ୍ତ ପାଶେ ଦିନେ ଥିଲେ ସୁନ୍ଦରୀ,

ସହଜେ ଲଜ୍ଜାବତୀ ପୂର୍ଣ୍ଣ-ଉଦରୀ ।

ଆଗହୁଁ କୁତୂହଳେ ବୁଲାଇ କର

ଜାଣିଲି ଗର୍ଭପିଣ୍ଡ ମୁହିଁ ନିକର,

ବେନିଫାଳେ ଧାରିତ, ନ ଜାଣୁ କେହି

ତା ପରେ କିଛିଦିନେ ଜାଣିଲେ ସେହି ।

 

(ଅଶ୍ରୁମୋଚନ କରି) ତାହାହେଲେ କଣ ଏ ଦୁହିଁଙ୍କି କୌଣସି ଉପାୟରେ ପଚାରିବି ?

 

ଲବ – ଏ କଣ ?

ଅଶ୍ରୁଧାରାପାତେ             ଭୁବନ-ମଙ୍ଗଳ-

ନିଦାନ ତବ ବଦନ,

ହିମଜଳସିକ୍ତ             ଶ୍ୱେତ ଉତ୍ପଳର

ଛବି ଲଭିଲା ବହନ !

 

କୁଶ – ଅୟ ବତ୍ସ !

 

ସୀତାଦେବୀ ବିନା             ରଘୁପତିଙ୍କର

ଅନ୍ୟ ଦୁଃଖ ନାହଁ କିଛି,

ପ୍ରିୟା-ବିୟୋଗରେ             ଅଖିଳ ଜଗତ

ଅରଣ୍ୟରୁ ହୀନ, ଛି ଛି !

ସେ ପରା ପୀରତି             ତାର ଏହି ଗତି

ପଚାରୁ ଏ କି ଅସାର ?

 

ରାମ- (ସ୍ୱଗତ) ଓହୋ ! ଏ ଦୁହିଁଙ୍କ କଥାଳାପ ତ ଦୂରକୁ ଚାଲିଗଲା । ଆଉ କି ପ୍ରଶ୍ନ ? ହେ ଦଗ୍‌ଧହୃଦୟ ! ତୋହର ଏ କି ଆକସ୍ମିକ ସ୍ନେହ ପ୍ରବଣ ବିକାର ? ଏହିପରି ହୃଦୟର ଆବେଗକୁ ପ୍ରକାଶକରି ଏବେ ଶିଶୁଜନର ସୁଦ୍ଧା ଅନୁକମ୍ପାର ଯୋଗ୍ୟ ହେଲି ! ହଉ, ତାହାହେଲେ ଏକାବେଳକେ ଦୂର କରୁଚି । (ପ୍ରକାଶ୍ୟେ) ବତ୍ସଦ୍ୱୟ ! ରାମାୟଣ ବୋଲି ଭଗବାନ ବାଲ୍ମିକୀଙ୍କର ସରସ୍ୱତୀନିର୍ଯ୍ୟାସ ସୂର୍ଯ୍ୟବଂଶର ପ୍ରଶସ୍ତି ବୋଲି କଣ ଶୁଣାଯାଏ ? ସେଥିରେ କିଛି ଶୁଣିବା ପାଇଁ ବଡ଼ କୌତୁହଳ ହେଉଛି ।

 

କୁଶ – ଆମେ ଦୁହେଁ ସେ ସମଗ୍ର ସନ୍ଦର୍ଭକୁ ଆବୃତ୍ତି କରିଛୁ । ବାଳଚରିତର ଶେଷ ଅଧ୍ୟାୟର ଦୁଇଟି ଶ୍ଳୋକ ଏହିକ୍ଷଣି ମନେପଡ଼ୁଛି ।

 

ରାମ – ବତ୍ସ ! ଆବୃତ୍ତି କର ।

 

କୁଶ –       ସ୍ୱଭାବେ ସୀତାଦେବୀ ସେ ମହାମନା

ଶ୍ରୀରାମଙ୍କର ପ୍ରିୟା ଥିଲେ ସୁମନା ।

ଆପଣା ଗୁଣେ ପୁଣି ପ୍ରୀତି-ସମ୍ପତ୍ତି

ବଢାଇଥିଲେ ବହୁ ଗୁଣେ ସେ ସତୀ । ୧ ।

ଶ୍ରୀରାମ ସୀତାଙ୍କର ଥିଲେ ତେସନ

ପ୍ରାଣୁ ବଳି ଅଧିକେ ପ୍ରୀତିଭାଜନ ।

ପରସ୍ପରର ସେହି ପ୍ରୀତି ଉଦୟ । ୨।

 

ରାମ – ଆହୋ ! କି ଦାରୁଣ ମର୍ମବେଦନା ! ହା ଦେବି ! ଦିନେ ଏହିପରି ଥିଲା । ଓହୋ ! ଏ ସଂସାରର ବିଷୟ କି ସନ୍ତାପକ! ଅକସ୍ମାତ୍‌ ଅନ୍ୟ ଏକ ବିରସ ଭାବ ଧାରଣ କରୁଅଛି । ପ୍ରିୟଜନ ବିଚ୍ଛେଦରେ ପୁଣି ଏହା ପରିପାକ ପ୍ରାପ୍ତ ହୁଏ ।

 

କାହିଁ ଗଲା ସେହି ଆନନ୍ଦ ସ୍ନେହରସଗହନ,

କାହିଁ ଗଲା ସେହି ପରମ ପରସ୍ପରେ ଯନନ,

କେହିଁ ବା କୌତୁକ ଉତ୍ସବ ଏବେ ନାହିଁ ତା ସତ୍ତା,

କିବା ସୁଖେ ଦୁଃଖେ କାହିଁ ବା ବେନି ହୃଦ-ଏକତା ।

ସବୁ ଯାଇଅଛି, ତଥାପି ଏହି ପାପ ଜୀବନ

ରହଅଛି ଯାହା ନ ଯାଇ, ଧିକ ଧିକ ଭୁବନ !

 

ଓହୋ ! କି କଷ୍ଟ !

ପ୍ରିୟା ଗୁଣରାଶି-             ପ୍ରକାଶେ କୁଶଳ

ଯେକାଳ ପଡ଼ିଲେ ମନେ,

ଘୋର ଦୁଃଖ ତାପ             ମୋହ ଉପୁଜିବ

ଏବେ ତା ଆସେ ସ୍ମରଣେ ।

ଅଳପ ଦିନରେ             ତଳପ ବିସ୍ତାରି

ମୃଗୀଦଶାର ସେକାଳେ

ବଢିଥିଲା ଆହା             ରମ୍ୟ ସ୍ତନ ବେନି             ବାଲ୍ୟ-ଯୌବନ ସୀମାରେ

ସ୍ନେହ ଅଭିଳାଷ-             ସଂଯୋଗ ସର

ମନସିଜ ତହୁଁ ପଶି

ଚାରୁ ଅଙ୍ଗରାଜ୍ୟେ             ନିଜ ଧୃଷ୍ଟପଣ

ପ୍ରକଟିଲା ଧୌର୍ଯ୍ୟ ଧ୍ୱଂସି ।

 

କୁଶ – ଆଉ ମନ୍ଦାକିନୀ ଚିତ୍ରକୂଟ ବନବିହାର କାଳରେ ରଘୁପତିଙ୍କର ସୀତାଙ୍କ ପ୍ରତି ଏହି ଶ୍ଳୋକଟି ଥିଲା-

 

ତୁମ୍ଭପାଇଁ ସହି !             ସ୍ଥାପିଲଇଁ ଏହି

ଶିଳାଫଳକ ପୁରତେ,

ଚଉପାଶେ ଯାର             କରେ ଏ ବକୁଳ

ପୁଷ୍ପବୃଷ୍ଟି ଯେହ୍ନେ ସତେ ।

 

ରାମ – (ଲଜ୍ଜା ଓ ସ୍ନେହ ସହିତ କରୁଣଭାବରେ) ଏ ଶିଶୁଜନ ଅତ୍ୟନ୍ତ ସରଳ, ବିଶେଷତଃ ଅରଣ୍ୟବାସୀ । ହା ଦେବି ! ସେ ପ୍ରଦେଶକୁ କି ସ୍ମରଣ କରୁଛ, ଯେ ସେକାଳର ସମସ୍ତ ଏକାନ୍ତ ପ୍ରସଙ୍ଗରେ ସାକ୍ଷୀ ଥିଲା ! ଓହୋ ! ବଡ଼ କଷ୍ଟ !

 

ଶ୍ରମ-ସ୍ୱେଦଜଳେ ଲଲାଟ ଥିଲା ତହିଁ ଶୀତଳ,

ମନ୍ଦାକିନୀ ବାତେ ଆକୁଳ ଚାରୁ ଚୂର୍ଣ୍ଣକୁନ୍ତଳ ।

କୁଙ୍କୁମ ଅଙ୍କିତ ଅମଳ ଗଣ୍ଡଫଳକ ବେନି

ବିନା ଆଭରଣେ ସୁନ୍ଦର ସେହି ଶ୍ରବଣ, ଘେନି-

ଥିଲା ଅତି କମନୀୟ ଯେ ପ୍ରିୟା ବଦନଶଶୀ,

ଆହା ଦିଶିଯାଏ ଏବେ ସେ ମୋର ଅଗ୍ରତେ ଆସି !

 

(ସ୍ତମ୍ଭିତ ପ୍ରାୟ ରହି କରୁଣଭାବରେ) ଆହୋ ! କି ଆଶ୍ଚର୍ଯ୍ୟ !

 

ଭାଳି ଭାଳି ନିତି             ଗଢି ସେ ମୂରତି

ଅଗ୍ରେ କଲେ ସୁଦ୍ଧା ଠିଆ,

ଦୂର ପ୍ରବାସରେ             ପ୍ରିୟଜନ କେଭେଁ

ନ କରେ ଆଶ୍ୱସ୍ତ ହିଆ ।

କଳ୍ପିତ ମୂରତି             ଛପିଗଲେ କ୍ଷଣେ

ଜଣାଯାଏ ବିଶ୍ୱସାରା,

ଜୀର୍ଣ୍ଣାରଣ୍ୟ ପ୍ରାୟ             ନିତାନ୍ତ ବିଷମ

ହୃଦେ ତୃଷାନଳ ଜ୍ଜ୍ୱାଳା ।

 

(ନେପଥ୍ୟ-)

ବଶିଷ୍ଠ ବାଲ୍ମିକୀ ମୁନି       ଦଶରଥ ପାଟାରାଣୀ

ମିଥିଳାପତି ଜନକ ସଙ୍ଗେ ଆବର,

ବାଳକ କଳହ ଶୁଣି             ଆର୍ଯ୍ୟା ଅରୁନ୍ଧତୀ ପୁଣି

ଆସୁଛନ୍ତି, ଶଙ୍କାକୁଳ ସର୍ବ ଅନ୍ତର;

ଜରାଗ୍ରସ୍ତ ଦେହେ ମନ୍ଥରେ

ଶ୍ରମେ ଅବସନ୍ନ ହୋଇ ଦୂର ପଥରେ ।

 

ରାମ- କଣ ! ଭଗବାନ୍‌ ବଶିଷ୍ଠ ! ଅରୁନ୍ଧତୀ ! ମାତା ଆଉ ଜନକ ! ଏହିଠାରେ ବା ଏହି ସମସ୍ତଙ୍କୁ କିପରି ଦେଖାଦେବି ! (କରୁଣଭାବରେ ଦେଖି) ଆହା, ହା ! ତାତ ଜନକ ଦୈବାତ ଏଠାକୁ ଆସିଲେ ବୋଲି ଶୁଣିଲାକ୍ଷଣି ଏ ହତଭାଗ୍ୟକୁ ବଜ୍ରପାତ ପରି ଜଣାଯାଉଛି ।

 

ସେ ଶ୍ଳାଘ୍ୟ ସମ୍ବନ୍ଧେ       ଥିଲେ ବଶିଷ୍ଠାଦି

ମୁନିଗଣେ ପ୍ରମୁଦିତ,

ଅପତ୍ୟ ବିବାହ             ଉତ୍ସବେ ଦେଖିଛି

ବେନି ତାତଙ୍କୁ ମିଳିତ ।

ଏବେ ଏ ବିପଦେ        ଦେଖିବି କେମନ୍ତେ

ମୁଖ ପିତୃସଖାଙ୍କର,

ବିଦୀର୍ଣ୍ଣ ନ ହୋଇ             ରହିଛି ଯା ହୃଦ,

ରାମର କିବା ଦୁଷ୍କର !

 

(ନେପଥ୍ୟେ) - ଓହୋ ! ବଡ଼ କଷ୍ଟ !

 

ଦେଖି ଶ୍ରରାମେ ଏବେ ବିଦେହନାହା

ପୂର୍ବଭାବ ସ୍ମରଣେ ଚିହ୍ନିଲେ ଯାହା,

ଏ ରୂପେ କୁମରଙ୍କୁ ଦେଖି ଜନନୀ

ମୋହ ଭଜିଲେ ଶୋକେ ଲୋଟି ଅବନୀ ।

 

ରାମ – ହା ତାତ ! ହା ମାତୃଗଣ ! ହା ଜନକ ! ରଘୁଜନକମାନଙ୍କର ପବିତ୍ରକୁଳେ ଯେ ମଙ୍ଗଳ । ତହିଁ ଯେ ହୋଇଛି ନିର୍ଦ୍ଦୟ ସେ ପାପେ କିପାଁ ଦୟା ବହ । ତେବେ ଯାଏଁ, ସମ୍ଭାବନା କରେଁ ।

(ଉତ୍‌ଥାନ)

 

କୁଶଲବ – ଏଣେ ତେଣେ ତାତ ! (କରୁଣଭାବରେ ପରିକ୍ରମଣପୂର୍ବକ ସମସ୍ତଙ୍କର ପ୍ରସ୍ଥାନ)

 

ଇତି ‘କୁମାରପରିଚୟ’ ନାମକ ଷଷ୍ଠ ଅଙ୍କ ।

 

ସପ୍ତମ ଅଙ୍କ

 

(ଲକ୍ଷ୍ମଣଙ୍କର ପ୍ରବେଶ)

ଲକ୍ଷ୍ମଣ – ଭୋ ଭୋ, ଭଗବାନ୍‌ ବାଲ୍ମୀକି ଆମ୍ଭମାନଙ୍କ ସହିତ ସମସ୍ତ ବ୍ରାହ୍ମଣ କ୍ଷତ୍ରିୟ ଏବଂ ନଗରଜନପଦବାସୀ ପ୍ରଜାଙ୍କୁ ଆହ୍ୱାନ କରି ସ୍ୱ-ପ୍ରଭାବରେ ଦେବ ଅସୁର ତିର୍ଯ୍ୟକ୍ ଆଉ ଉରଗକୁଳର ଅଧିନାୟକମାନଙ୍କୁ ଏବଂ ସମସ୍ତ ସ୍ଥାବର ଜଙ୍ଗମ ପ୍ରାଣୀବର୍ଗଙ୍କୁ ଅଣାଇଛନ୍ତି । ମୋତେ ଆଜି ଆର୍ଯ୍ୟ ଏହି ଆଦେଶ ଦେଲେ, ‘‘ବତ୍ସ ଲକ୍ଷ୍ମଣ ! ଭଗବାନ୍‌ ବାଲ୍ମିକୀ ଆଜି ନିଜ କୃତି ଅପ୍‌ସରାମାନଙ୍କଦ୍ୱାରା ଅଭିନୟ କରାଇବେ ବୋଲି ଆମ୍ଭମାନଙ୍କୁ ନିମନ୍ତ୍ରଣ କରିଅଛନ୍ତି । ତେବେ ତୁମ୍ଭେ ସେହି ଗଙ୍ଗାକୂଳରେ ରଙ୍ଗଭୂମିକୁ ଲାଗି ଲୋକମାନଙ୍କର ଆସନ ସନ୍ନିବେଶ କର ।’’ ମୁଁ ଏବେ ମର୍ତ୍ତ୍ୟ ଅମର୍ତ୍ତ୍ୟ ସମସ୍ତ ପ୍ରାଣୀଙ୍କୁ ଯଥୋଚିତ ସ୍ଥାନରେ ସମୁପବେଶନ କରାଇଲି । କିନ୍ତୁ ଏହି ଯେ-

 

ରାଜ୍ୟାଶ୍ରମେ ଥାଇ ସୁଦ୍ଧା ମୁନିବ୍ରତଧର

ବାଲ୍ମୀକି ଗୌରବେ ଆର୍ଯ୍ୟ ଆସନ୍ତି ଏ ସ୍ଥଳ ।

 

ରାମ – (ପ୍ରବେଶ କରି) ବତ୍ସ ଲକ୍ଷ୍ମଣ ! ରଙ୍ଗଦର୍ଶକମାନେ ସ୍ଥାନ ପାଇଛନ୍ତି ତ ?

 

ଲକ୍ଷ୍ମଣ – ଆଜ୍ଞା ହଁ ।

 

ରାମ – ଆଉ ଏ ଦୁଇ ବତ୍ସ କୁଶଲବଙ୍କର ଚନ୍ଦ୍ରକେତୁର ସମାନ ଆସନ ବ୍ୟବସ୍ଥା କରାଇବ ।

 

ଲକ୍ଷ୍ମଣ – ପ୍ରଭୁଙ୍କର ସ୍ନେହ ଜାଣି ମୁଁ ସେହିପରି କରିଅଛି । ଆଉ ଏହି ଆସ୍ତୀର୍ଣ୍ଣ ରାଜାସନରେ ଆର୍ଯ୍ୟ ଉପବେଶନ କରନ୍ତୁ ।

(ରାମଙ୍କର ଏବଂ ସମସ୍ତ ଦର୍ଶକଙ୍କର ଉପବେଶନ)

 

ରାମ – ପ୍ରସ୍ତାବ କର ହେ ।

 

ସୁତ୍ରଧାର – (ପ୍ରବେଶ କରି) ଭୋ ଭୋ ! ଭଗବାନ ସତ୍ୟାର୍ଥବାଦୀ ବାଲ୍ମୀକି ସ୍ଥାବର ଜଙ୍ଗମ ସମସ୍ତ ଲୋକମାନଙ୍କୁ ଏହା ଜ୍ଞାପନ କରିଅଛନ୍ତି ଯେ, ଆମ୍ଭେ ଆର୍ଷଦୃଷ୍ଟିରେ ଦେଖି କରୁଣ ଅଦ୍ଭୁତ ରସରେ କିଛି ପୁଣ୍ୟଚରିତ ନିବଦ୍ଧ କରୁଅଛୁଁ । କାର୍ଯ୍ୟ ଗୌରବରେ ସମସ୍ତେ ସେଥିରେ ଅବଧାନ କରିବାହେବେ ।

 

ରାମ – ଏହା ପୁଣି କୁହାଯାଉଛି ! ଋଷିମାନେ ସାକ୍ଷାତ ଧର୍ମଦ୍ରଷ୍ଟା, ସେମାନଙ୍କର ସେହି ଅମୃତମୟ ରଜୋଗୁଣବିହୀନ ଜ୍ଞାନ ବିଷୟରେ କି କେବେ କିଛିମାତ୍ର ବିଘ୍ନ ହେବ ଯେ, ଏହା ପ୍ରତି ଶଙ୍କା କରାଯାଉଛି !

 

(ନେପଥ୍ୟ) – ହା ଆର୍ଯ୍ୟପୁତ୍ର ! ହା କୁମାର ଲକ୍ଷ୍ମଣ ! ମୁଁ ମନ୍ଦଭାଗିନୀ ! ପ୍ରସବ- ବେଦନା ଆସନ୍ନ ହେଲାଣି । ମୋ ପରି ଅଶରଣାକୁ ଏ ଅରଣ୍ୟରେ ଶ୍ୱାପଦ ସୁଦ୍ଧା କାମନା କଲେ ନାହିଁ । ତେବେ ମୁହିଁ ଅଭାଗିନୀ ଏକ୍ଷଣି ଯାଉଚି, ଭାଗୀରଥି-ଗର୍ଭରେ ଆତ୍ମସମର୍ପଣ କରିବି ।

 

ଲକ୍ଷ୍ମଣ – (ସ୍ୱଗତ) ଓହୋ ! ଅତି କଷ୍ଟକର ଆଉ କିଛି ଏ।

 

ସୂତ୍ର –       ଏହି ଦେବୀ ବିଶ୍ୱମ୍ଭରାତନୁଜା,

ମହାବନେ ଯାଙ୍କୁ ତେଜିଲେ ରାଜା ।

ଆସନ୍ନପ୍ରସବା ଏବେ ସେ ସତୀ,

ଗଙ୍ଗାଦେବୀ ଗର୍ଭେ ତନୁ ମୁଞ୍ଚନ୍ତି ।

 

ରାମ – ଦେବୀ ! କ୍ଷଣେ ଅପେକ୍ଷା କର ।

 

ଲକ୍ଷ୍ମଣ – ଆର୍ଯ୍ୟ ! ନାଟକ ଏ ! ନାଟକ ଏ !

 

ରାମ – ହା ଦେବି ! ଦଣ୍ଡକାରଣ୍ୟ-ପ୍ରିୟସଖି ! ରାମ ଯୋଗେ ତୁମ୍ଭର ଏହି ଦୁର୍ବିପାକ !

 

ଲକ୍ଷ୍ମଣ – ଆର୍ଯ୍ୟ ! କେବଳ ପ୍ରବନ୍ଧର ଭାବଟା ଦେଖନ୍ତୁ ।

 

ରାମ – ଏଇ ମୁଁ ବଜ୍ରମୟ ପ୍ରସ୍ତୁତ ହେଲି ।

 

(ଦୁଇଟି ଶିଶୁ ଦୁଇପାଖରେ କୋଳକରି ଗଙ୍ଗା ଓ ପୃଥ୍ୱୀଙ୍କ ଦ୍ୱାରା ଅବଲମ୍ବିତା ସୀତାଙ୍କର ପ୍ରବେଶ)

 

ରାମ – ବତ୍ସ ଲକ୍ଷ୍ମଣ ! କି ଏକ ଅବିଜ୍ଞାତ ଅହେତୁକ ଅନ୍ଧକାର ମଧ୍ୟରେ ଯେହ୍ନେ ମୁଁ ପ୍ରବେଶ କଲି ମୋତେ ଧର।

 

ଗଙ୍ଗା –       ଆଶ୍ୱସ୍ତ ହୁଅ ମା’ ଅୟି କଲ୍ୟାଣି,

ଭାଗ୍ୟେ ପ୍ରସବିଲୁ ଏ ଜଳେ ଆଣି,

ରଘୁବଂଶଧର ବେନି କୁମାର,

ତେଜ ମା’ ବୈଦେହି ! କଷଣଭାର ।

 

ସୀତା – (ଆଶ୍ୱସ୍ତା ହୋଇ) ଭାଗ୍ୟେ ଦୁଇ କୁମାର ପ୍ରସବ କରିଚି ! ହା ଆର୍ଯ୍ୟପୁତ୍ରେ !       (ମୂର୍ଚ୍ଛିତା)

 

ଲକ୍ଷ୍ମଣ – (ପାଦତଳେ ପଡ଼ି) ଆର୍ଯ୍ୟ ! ଆର୍ଯ୍ୟ ! ବଡ଼ ଭାଗ୍ୟ ଆମ୍ଭର । ଏ ରଘୁବଂଶର ମଙ୍ଗଳ ଅଙ୍କୁର ହେଲା । (ଦେଖି) ଆହା ହା ! ଏ କଣ ! ଉତ୍‌ଥିତ ବାଷ୍ପଭାରରେ ଏବେ ଆର୍ଯ୍ୟ ସ୍ତମ୍ଭିତ ପ୍ରାୟ ହୋଇ ମୋହପ୍ରାପ୍ତ !

(ବ୍ୟଜନକରଣ)

 

ପୃଥ୍ୱୀ – ବତ୍ସେ ! ଶାନ୍ତ ହୁଅ, ଶାନ୍ତ ହୁଅ ।

 

ସୀତା – (ଆଶ୍ୱସ୍ତା ହୋଇ) ଭଗବତି ! କିଏ ତୁମେ – ଆଉ ଏ କିଏ ?

 

ପୃଥ୍ୱୀ- ଏ ତୋର ଶ୍ୱଶୁରକୁଳଦେବତା ଭାଗୀରଥୀ ।

 

ସୀତା – ଭଗବତି ! ନମସ୍ତେ, ନମସ୍ତେ ।

 

ଭାଗିରଥୀ – ଚରିତ୍ରଗୁଣରୁ ସର୍ବକଲ୍ୟାଣ ଲାଭକର ।

 

ଲକ୍ଷ୍ମଣ – ଅନୁଗୃହୀତ ହେଲୁଁ ।

 

ଭାଗୀରଥୀ – ଏ ତୁମ୍ଭର ଜନନୀ ବସୁନ୍ଧରା ।

 

ସୀତା – ହା ହା ! ମା’ ! ଏପରି ଚିରଦୁଃଖିନିକି ଦେଖିଲ ?

 

ପୃଥ୍ୱୀ – ଆସ ମା’, ଆ ମା’ ।

(ସୀତାଙ୍କୁ ଆଲିଙ୍ଗନ କରି ମୂର୍ଚ୍ଛିତା)

 

ଲକ୍ଷ୍ମଣ – (ସହର୍ଷେ) ବଡ଼ ଭାଗ୍ୟ ! ପୃଥ୍ୱୀ ଆଉ ଗଙ୍ଗା ଦୁହେଁ ଆର୍ଯାଙ୍କୁ ଆଣିଛନ୍ତି ।

 

ରାମ – (ଦେଖି) ଅତି ଶୋଚନୀୟ କଥା ! ଦେବୀ ବିଶ୍ୱମ୍ଭରା ମଧ୍ୟ ବ୍ୟଥା ଅନୁଭବ କରୁଛନ୍ତି ! ଧନ୍ୟ ଅପତ୍ୟସ୍ନେହ !! ଅଥବା ଚେତନମାନଙ୍କର ସର୍ବସାଧାରଣ ଏହି ମୋହ ବନ୍ଧନ ଡ଼ୋର ଛିଣ୍ଡାଇବା ସହଜ ନୁହେଁ।

 

ଭାଗୀରଥୀ- ବତ୍ସେ ବୈଦେହି ! ଦେବି ଭୂତଧାତ୍ରି ! ଶାନ୍ତ ହୁଅ ।

 

ପୃଥ୍ୱୀ – ଦେବି ! ସୀତାକୁ ପ୍ରସବକରି କିପରି ବା ଶାନ୍ତ ହେବି ?

 

‘ରକ୍ଷକୁଳେ ବାସ’ ଥିଲା ଏକଇ କଷଣ,

ଦ୍ୱିତୀୟ ଏବେ ଯା ହେଲା, ଶୁଣିବ କେ ଜନ ?

 

 

ଭାଗୀ –       ନିୟତିର ଦାସ ସକଳ ଜୀବ,

କିଏ ବା ଦଇବକ୍ରିୟା ରୋଧିବ ?

 

ପୃଥ୍ୱୀ – ଭାଗିରଥି ! ଦେଖିବା କଥା କହିଲ ! ଅବା ଏହା ରାମଭଦ୍ରଙ୍କର ଉଚିତ ହୋଇଚି !

 

ବାଲ୍ୟେ ଗୃହୀତ ସେ ପ୍ରାଣ ନୋହିଲା ପ୍ରମାଣ,

ନ ହେଲି ମୁଁ, ନୋହିଲେ ସେ ଜନକ ସୁଜ୍ଞାନ ।

ପରୀକ୍ଷାରେ ଅଗ୍ନି ମଧ୍ୟ ନୋହିଲେ ପ୍ରମାଣ,

ଏତେ ଅନୁଗତି ତାର, ଆଉ ଏ ସନ୍ତାନ !

 

ସୀତା – ଆର୍ଯ୍ୟପୁତ୍ରଙ୍କୁ ଏବେ ସୁମରୁଚି ।

 

ପୃଥ୍ୱୀ – ଆଃ, କିଏ ତୋହର ଆର୍ଯ୍ୟପୁତ୍ର !

 

ସୀତା – (ଲଜ୍ଜରେ ସଲୋତକେ) ହଁ, ଯାହା ବା ଅମ୍ବା କହିଲେ ।

 

ରାମ – ଅମ୍ବା ପୃଥିବୀ ! ଏହିପରି ଏକା ଅଟେଁ ।

 

ଭାଗୀ – ଭଗବତୀ ବସୁନ୍ଧରେ ! ସଂସାରର ଶରୀର ତୁମେ ହେଉଚ । ତେବେ ଏ କଣ ନ ଜାଣିଲା ପରି ଜାମାତାଙ୍କ ଉପରେ କୋପ କରୁଚି ?

 

ଘୋଷିଲେ ସକଳ ନର       ରାଜ୍ୟରେ ଅଯଶ ଘୋର

ଲଙ୍କାଦ୍ୱୀପେ ହୋଇଥିଲା ଅଗ୍ନିପ୍ରବେଶ,

ଏତେ ଦୂରରେ ତା ସତେ       କେମନ୍ତେ ଯିବେ ପରତେ

ବିଷମ ସଙ୍କଟ ପଡ଼ିଗଲେ ନରଶେ ।

ଆଉ ସେ କି ଅବା କରନ୍ତେ !

ଇକ୍ଷ୍ୱାକୁକୁଳର ଧନ             ପ୍ରକୃତି-ଚିତ୍ତରଞ୍ଜନ-

ବ୍ରତକୁ ପାଳିଲେ ବତ୍ସ ତେଣୁ ଏମନ୍ତେ ।

 

ଲକ୍ଷ୍ମଣ – ଦେବତାମାନେ ପ୍ରାଣୀମାନଙ୍କ ଅନ୍ତର୍ଗତ ଭାବ ଜାଣି ପାରନ୍ତି; ବିଶେଷରେ ପୁଣି ଗଙ୍ଗା, ତେଣୁ ତୁମ୍ଭ ପ୍ରତି ଏହି ଅଞ୍ଜଳି।

 

ରାମ – ଅମ୍ବା ! ଭାଗୀରଥ ଗୃହରେ ତୁମ୍ଭର ଏ ଅନୁଗ୍ରହରେ କାଳକ ରହିଛି ।

 

ପୃଥ୍ୱୀ – ଦେବି ! ତୁମ୍ଭ ପ୍ରତି ମୁଁ ନିତ୍ୟପ୍ରସନ୍ନା । କେବଳ ଏହି ଆପାତ ଦୁଃସହ ସ୍ନେହର ଆବେଗରେ ଏପରି କହିପକାଇଲେ – ନୋହିଲେ କଣ ରାମଭଦ୍ରଙ୍କର ସୀତାସ୍ନେହ ମୁଁ ଜାଣେ ନାହିଁ ?

 

ବିଦଗ୍‌ଧ ହୃଦୟେ        ବୈଦେହିକ ତେଜି

ଦୈବବଶେ ସେ ରାଜନ,

ଅମାନୁଷ ଧୈର୍ଯ୍ୟେ            ପ୍ରଜାପୁଣ୍ୟଫଳେ

ଧାରନ୍ତି ଏବେ ଜୀବନ ।

 

ରାମ – ଗୁରୁଜନମାନେ ଅପତ୍ୟ ପ୍ରତି ସଦୟ ହୋଇଥାନ୍ତି।

 

ସୀତା – (କାନ୍ଦି କାନ୍ଦି କରଯୋଡ଼ି) ମା’! ମୋତେ ତୁମ ଅଙ୍ଗରେ ବିଲୀନ କରିଦିଅ ।

 

ରାମ – ଆଉ କଣ କହନ୍ତେ ।

 

ଭାଗୀ – ଶାନ୍ତ ହୁଅ । ସହସ୍ର ବର୍ଷଯାଏ ଅବିଲୀନା ଥାଅ

 

ପୃଥ୍ୱୀ – ବତ୍ସେ ! ପୁତ୍ର ଦୁଇଟିଙ୍କି ରଖିବାକୁ ହେବ ପରା ।

 

ସୀତା – ମୁଁ ଅନ୍ୟଥା !

 

ରାମ – ହୃଦୟ ! ବଜ୍ରମୟ ହୁଅ ।

 

ଭାଗୀ – ତୁମ୍ଭେ ସନାଥା ହୋଇ ଅନାଥା କାହିଁକି ?

 

ସୀତା – ମୋ ପରି ଅଭାଗିନୀ ସନାଥା କିପରି ?

 

ଦେବୀଦ୍ୱୟ – (ଅୟି)

 

ଭୁବନ ମଙ୍ଗଳ             ଆତ୍ମାକୁ କିପାଇଁ

ଅକାରଣେ ତୁଚ୍ଛ ମଣ ?

ଆମ୍ଭ ବେନିଙ୍କର       ମଧ୍ୟ ଯାହା ଯୋଗେ

ବଢଇ ପବିତ୍ରପଣ ।

 

ଲକ୍ଷ୍ମଣ – ଆର୍ଯ୍ୟ ! ଶୁଣିଲେ ?

 

ରାମ – ସଂସାର ଶୁଣୁ ।      (ନେପଥ୍ୟେ କୋଳାହାଳ)

 

ରାମ – ଅତି ଅଦ୍ଭୁତ କିଛି ....

 

ସୀତା – ଏ କଣ ! ଶୂନ୍ୟଟା ଜଳି ଉଠୁଚି !

 

ଦେବୀଦ୍ୱୟ – ଜଣାଗଲା –

 

କୃଶାଶ୍ୱ କୌଶିକ       ତାଙ୍କ ପରେ ରାମ

ଯାର ଗୁରୁ-ପରମ୍ପରା,

ଜୃମ୍ଭକ ସହିତେ       ସେହି ଅସ୍ତ୍ର ଏବେ

ଆବିର୍ଭାବ ହେଲେ ପରା !

 

(ନେପଥ୍ୟ-)

ନମୋ ଦେବି ସୀତେ       ତୁମ୍ଭ ବେନି ସୁତେ

ଆମ୍ଭମାନଙ୍କର ଗତି,

ଆଲେଖ୍ୟ ଦର୍ଶନ-             କାଳେ କହି୍ଥିଲେ

ଯାହା ଦେବ ରଘୁପତି ।

 

ସୀତା – ଭାଗ୍ୟ, ଅସ୍ତ୍ରଦେବତାମାନେ ପ୍ରାଦୁର୍ଭୂତ ହେଲେ !

 

ଲକ୍ଷ୍ମଣ – ଆର୍ଯ୍ୟ ଏହାକହିଥିଲେ ଯେ ବର୍ତ୍ତମାନ ଏମାନେ ସର୍ବତୋଭାବରେ ତୁମ୍ଭ ସନ୍ତତିଙ୍କୁ ଆଶ୍ରୟ କରିବେ।

 

ଦେବୀଦ୍ୱୟ – ହେ ପରମ ଅସ୍ତ୍ର ! ନମୋ ନମସ୍ତେ,

ତୁମ୍ଭ ଆଗମନେ ଧନ୍ୟ ସମସ୍ତେ ।

ଯାଅ ଶୁଭେ, ପୁଣି ଆସିବ ତେବେ,

ଏ ବତ୍ସେ ଧ୍ୟାୟିବେ ତୁମ୍ଭଙ୍କୁ ଯେବେ ।

 

ରାମ –       ବିସ୍ମୟ-ଆନନ୍ଦ-ମିଶ୍ରିତ ରସ

ସର୍ବାଙ୍ଗେ ଜର୍ଜର ଶୋକ-ଉଚ୍ଛ୍ୱାସ

ମନ୍ଥି ମୋ ଅନ୍ତର ଦିଏ ଯେ ଦଶା.

ପ୍ରକାଶ କରିବାକୁ ନାହଁ ମୋ ଭାଷା ।

 

ଦେବୀଦ୍ୱୟ – ବତ୍ସେ ! ବର୍ତ୍ତମାନ ତୁମ୍ଭର ପୁତ୍ର ଦୁହେଁ ରାମଭଦ୍ରଙ୍କ ତୁଲ୍ୟ ହେଲେ ବୋଲି ଜାଣ ।

 

ସୀତା – ଭଗବତିଏ ! କିଏ ଏ ଦୁହିଁଙ୍କର କ୍ଷତ୍ରିୟ ଯୋଗ୍ୟ କର୍ମ କରିବ ?

 

ରାମ –       ବଶିଷ୍ଠପାଳିତ             ଏ ରଘୁକୁଳରେ

ଯେ ପୁଣି ବଂଶବର୍ଦ୍ଧିନୀ,

ସେ ସୀତା, ସୁତଙ୍କ             ପାଇଁ ଲୋଡ଼ୁଛନ୍ତି

ସଂସାରକର୍ତ୍ତା ନ ଜାଣି ?

 

ଦେବୀଦ୍ୱୟ – ପୁତ୍ରି ! ତୁମର ଏ ଚିନ୍ତା କାହିଁକି ? ସ୍ତନ ତ୍ୟାଗ କଲାକ୍ଷଣି ଏ ବତ୍ସ ଦୁହିଁଙ୍କି ବାଲ୍ମୀକିଙ୍କୁ ଅର୍ପଣ କରିବୁଁ। ସେହି ଏ ଦୁହିଁଙ୍କର କ୍ଷତ୍ରିୟ କ୍ରିୟାମାନ କରିବେ ।

 

ବଶିଷ୍ଠ ଶତାନନ୍ଦ ଏ ବେନି ଯଥା

ବାଲ୍ମିକୀ ମହାମୁନି ଜାଣିବ ତଥା,

ରଘୁ ଆଉ ଜନକ ଏହି ଉଭୟ

କୁଳର ଗୁରୁ ଏଥି, ନାହିଁ ସଂଶୟ ।

 

ରାମ – ଭଗବତୀ ଦୁହେଁ ଉତ୍ତମ ବିଚାର କରିଅଛନ୍ତି ।

ଲକ୍ଷ୍ମଣ – ଆର୍ଯ୍ୟା ! ଏହି ଲବ ଦୁହିଁଙ୍କୁ ସେହି ସେହି ଲକ୍ଷଣ ଯୁକ୍ତ ଦେଖୁଛି !

 

ଆଜନ୍ମରୁ ଏ ବେନି ଅସ୍ତ୍ରେ ନିପୁଣ

ବାଲ୍ମିକୀ ମହାମୁନୀ-ପ୍ରସାଦେ

ଲଭି ସକଳ କ୍ଷତ୍ର-ଯୋଗ୍ୟ ସଂସ୍କାର

ଦ୍ୱାଦଶ ବର୍ଷେ ଆସି ସ୍ଥିତ କୁମାର ।

 

ରାମ – ବତ୍ସ ! ଏଣୁ ମୁଁ ସନ୍ଦେହ ଦୋଳାରେ ଦୋଳାୟିତ ହେଲାପରି ହୋଇ କିଛି ସ୍ଥିର କରିପାରୁନାହିଁ ।

 

ପୃଥ୍ୱୀ – ଆସ ବତ୍ସେ ! ରସାତଳକୁ ପବିତ୍ର କର ।

 

ରାମ – ହା ପ୍ରିୟେ ! ଲୋକାନ୍ତରକୁ ଚାଲିଯାଉଛ ?

 

ସୀତା – ଆପଣା ଅଙ୍ଗରେ ମା’ ମୋତେ ବିଲୀନ କର । ଆଉ ଏ ଜୀବନରେ ଏତେ ଏତେ ଦଶା ସହିପାରିବି ନାହିଁ ।

 

ରାମ – କି ଉତ୍ତର ହେବ ।

 

ପୃଥ୍ୱୀ – ଏ ବତ୍ସ ଦୁହିଁଙ୍କର ସ୍ତନତ୍ୟାଗ ଯାଏ ମୋର ଆଦେଶ ଅନୁସାରେ ଅପେକ୍ଷା କର । ପରେ ତୁମ୍ଭଙ୍କୁ ଯେପରି ଦିଶିବ ।

 

ଭାଗୀ – ହଁ, ତାହା ନୁହେଁ କଣ ?

(ଗଙ୍ଗା, ପୃଥିବୀଏବଂ ସୀତାଙ୍କର ପ୍ରସ୍ଥାନ)

 

ରାମ – କଣ ! ବୈଦେହୀଙ୍କର ସତେ ବିଲୟ ହେଲା ! ହା ଚାରିତ୍ରଦେବେତ ! ଲୋକାନ୍ତର ପ୍ରସ୍ଥାନ କଲ ?

(ଏହା କହି ମୂର୍ଚ୍ଛିତ)

 

ଲକ୍ଷ୍ମଣ – ଭଗବାନ୍‌ ବାଲ୍ମୀକେ ! ପରିତ୍ରାଣ କର । ଏହି ପରା ତୁମ୍ଭର କାବ୍ୟର ପ୍ରୟୋଜନ !

 

(ନେପଥ୍ୟେ - ) ବାଦ୍ୟ ଆଜି ବନ୍ଦ କର । ଭୋ ଭୋ ଜଙ୍ଗମ ସ୍ଥାବର ପ୍ରାଣିବର୍ଗ ! ମର୍ତ୍ତ୍ୟ ଆଉ ଅମର୍ତ୍ତବୃନ୍ଦ ! ଦେଖ ଦେଖ, ଭଗବାନ୍‌ ବାଲ୍ମୀକି ଏକ ଅତି ଆଶ୍ଚର୍ଯ୍ୟ ପବିତ୍ର ଅନୁଷ୍ଠାନ କରୁଅଛନ୍ତି ।

 

ଲକ୍ଷ୍ମଣ – (ଦେଖି)

 

ସହସା ଜାହ୍ନବୀ ବକ୍ଷ ହେଲା ବିକ୍ଷୋଭିତ,

ଊର୍ଦ୍ଧ୍ୱେ ଅନ୍ତରୀକ୍ଷ ଦେବ-ତାପସ-ଭୂଷିତ,

ଏ କି ଆଚମ୍ବିତ, ଭେଦି ଜଳ ଆସ୍ତରଣ

ଗଙ୍ଗା ପୃଥ୍ୱୀ ସଙ୍ଗେ ଦେବୀ ଉଠିଲେ ତତ୍‌କ୍ଷଣ !

 

(ପୁଣି ନେପଥ୍ୟ) – ଅୟି ଅରୁନ୍ଧତି ! ମହାମହନୀୟା

ଆମ୍ଭେ ବେନି ଗଙ୍ଗା ପୃଥ୍ୱୀ ଏଥି ଠିଆ !

ତୁମ୍ଭ ପାଶେ ଦେବି ! ଏହି ପୁଣ୍ୟଶୀଳା

ବଧୂ ଶ୍ରୀଜାନକୀ ଆଜହୁଁ ରହିଲା ।

 

ଲକ୍ଷ୍ମଣ – କି ଆଶ୍ଚର୍ଯ୍ୟ ! ଆର୍ଯ୍ୟ ! ଦେଖନ୍ତୁ ଦେଖନ୍ତୁ । ହା କି କଷ୍ଟ ! ଏତେବେଳଯାଏ ସୁଦ୍ଧା ଆର୍ଯ୍ୟଙ୍କର ଚେତନା ହୋଇନାହିଁ?

(ଅରୁନ୍ଧତୀ ଏବଂ ସୀତାଙ୍କର ପ୍ରବେଶ)

 

ଅରୁ –       ଯାଅ ତ୍ୱରା କରି ବଧୂ ବଇଦେହି !

ତେଜ ତେଜ ଲଜ୍ଜାବତୀପଣ ଏହି ।

ଆସ ବେଗେ ରଖ ମୋ ବତ୍ସ-ଜୀବନ

ତବ ପ୍ରିୟ କରପରଶେ ବହନ ।

 

ସୀତା – (ସମ୍ଭ୍ରନ୍ତେ ସ୍ପର୍ଶ କରି) ଆର୍ଯ୍ୟପୁତ୍ର ! ଆଶ୍ୱସ୍ତ ହୁଅନ୍ତୁ ।

 

ରାମ – (ଆଶ୍ୱସ୍ତ ହୋଇ ସହର୍ଷେ) ଅହୋ ! ଏ କ’ଣ ? କଣ ଦେବୀ (ଲଜ୍ଜା ଓ ମନ୍ଦହାସରେ) ଅମ୍ବା ଅରୁନ୍ଧତୀ ଆଉ ଋଷ୍ୟଶୃଙ୍ଗ ଶାନ୍ତା ସହିତ ସମସ୍ତ ଗୁରୁଜନମାନେ ଆନନ୍ଦିତ !

 

ଅରୁ – ବତ୍ସ ! ଏ ଭାଗୀରଥ-ଗୃହଦେବତା ସୁପ୍ରସନ୍ନା ଗଙ୍ଗା !

 

(ନେପଥ୍ୟ) – ଜଗତତ୍ପତେ ରାମଭଦ୍ର ! ଆଲେଖ୍ୟ ଦର୍ଶନରେ ମୋହ ପ୍ରତି ଆପଣାର ବଚନ ସ୍ମରଣ କର ! ଏହି ‘ଯେ ତୁମ୍ଭେ ଅରୁନ୍ଧତୀଙ୍କ ପରି ଧର୍ମତଃ ଏହି ବଧୂ ସୀତାଙ୍କର ଶୁଭାନୁଧ୍ୟାୟିନୀ ହେବ।’ ତାହାହେଲେ ଆଜି ମୁଁ ଋଣ ମୁକ୍ତ ପାଇଲି ।

 

ଅରୁ – ଏ ତୁମ୍ଭର ଶ୍ୱଶ୍ରୂ ଭଗବତୀ ବସୁନ୍ଧରା !

 

(ନେପଥ୍ୟ) – ବତ୍ସାକୁ ତ୍ୟାଗ କରିବା ସମୟରେ ପୂର୍ବେ ଆୟୁଷ୍ମାନ୍‌ ମଧ୍ୟ କହିଛନ୍ତି ଯେ ‘ଭଗବତୀ’ ବସୁନ୍ଧରେ ! ଏହି ଶ୍ଳାଘ୍ୟ ଦୁହିତା ଜାନକୀଙ୍କୁ ରକ୍ଷା କର ।’ ତାହାହେଲେ ମୁଁ ଆଜି ପ୍ରଭୁ ଆଉ ବତ୍ସାଙ୍କର ବଚନ ପାଳନ କଲି !

 

ରାମ – କଣ, ଏ ମହା ଅପରାଧିକୁ ପୁଣି ଭଗବତୀ ଅନୁକମ୍ପା କଲେ ? ଉଭୟଙ୍କୁ ମୋର ପ୍ରଣାମ !

 

ଅରୁ – ଭୋ ଭୋ ପୌର ଜାନପଦବର୍ଗ ! ଭଗବତୀ ଜାହ୍ନବୀ ଆଉ ବସୁନ୍ଧରା ଯାହାଙ୍କର ପ୍ରଶଂସା କରି ମୋତେ ସମର୍ପଣ କରିଗଲେ, ପୂର୍ବେ ଭଗବାନ୍‌ ବୈଶାନରଙ୍କ ଦ୍ୱାରା ଯାହାଙ୍କର ପୁଣ୍ୟଚରିତ୍ର ପରୀକ୍ଷା କରାଯାଇଅଛି, ବ୍ରହ୍ମାଦି ଦେବତାମାନେ ଯାହାଙ୍କର ସ୍ତୁତିଗାନ କରିଅଛନ୍ତି, ସେହି ଦେବଜଜନସମ୍ଭବା ରଘୂକୁଳବଧୂଙ୍କୁ ଗ୍ରହଣ କରାଯାଉ, ଏହା ଆପଣମାନେ କିପରି ମନେ କରୁଅଛନ୍ତି ?

 

ଲକ୍ଷ୍ମଣ – ଆର୍ଯ୍ୟା ଅରୁନ୍ଧତୀଙ୍କଠାରୁ ଏପରି ତିରସ୍କାର ପାଇ ବର୍ତ୍ତମାନ ସମସ୍ତ ପ୍ରଜା ଏବଂ ପ୍ରାଣିବର୍ଗ ଆର୍ଯ୍ୟାଙ୍କୁ ନମସ୍କାର କରୁଅଛନ୍ତି । ସପ୍ତର୍ଷି ଆଉ ଲୋକପାଳକମାନେ ପୁଷ୍ପବୃଷ୍ଟିଦ୍ୱାରା ସମାଦର କରୁଛନ୍ତି ।

 

ଅରୁ – ଜଗତ୍ପତେ ରାମଚନ୍ଦ୍ର !

ଏବେ ଧର୍ମ ମତେ ସେ ଧର୍ମ ଯଜନେ

ଧର୍ମଚାରିଣୀଙ୍କୁ ଘେନ ପୂତମାନେ,

ତେଜି ସେ ହିରଣ୍ୟ-ମୟୀ ପ୍ରକୃତି

ଭଜ ବିକୃତିର ଏ ପୁଣ୍ୟ ପ୍ରକୃତି !

 

ସୀତା – (ସ୍ୱଗତ) ଆର୍ଯ୍ୟପୁତ୍ର ସୀତା-ଦୁଃଖର ଦୂର କରିବା ଜାଣନ୍ତି ।

 

ରାମ – ଯେ ଆଜ୍ଞା ଭଗବତି !

 

ଲକ୍ଷ୍ମଣ- କୃତାର୍ଥ ହେଲି ।

 

ସୀତା – ଜୀବନ ପାଇଲି ।

 

ଲକ୍ଷ୍ମଣ – ଆର୍ଯ୍ୟେ ! ଏ ନିର୍ଲଜ ଲକ୍ଷ୍ମଣ ପ୍ରଣାମ କରୁଚି ।

 

ସୀତା – ବତ୍ସ ! ଏପରି ହେଲେ ସୁଦ୍ଧା ଦୀର୍ଘଜୀବୀ ହୁଅ ।

 

ଅରୁ – ଭଗବାନ୍‌ ବାଲ୍ମୀକେ ! ସୀତାଗର୍ଭଜାତ ରାମଭଦ୍ରଙ୍କର ସେହି ଦୁଇ ପୁତ୍ରଙ୍କୁ ପାଖକୁ ଆଣନ୍ତୁ ।

 

(ବାଲ୍ମୀକିଙ୍କର ପ୍ରସ୍ଥାନ)

 

ରାମ-ଲକ୍ଷ୍ମଣ – (ଦେଖି) ହଁ, ସେହି ତ !

 

ସୀତା – (ବାଷ୍ପାକୁଳନେତ୍ରେ) ମୋର ପୁତ୍ର ଦୁହେଁ କାହାଁନ୍ତି? (ବାଲ୍ମୀକି ଏବଂ କୁଶଲବଙ୍କର ପ୍ରବେଶ)

 

ବାଲ୍ମୀକି – ବତ୍ସ କୁଶ ଆଉ ଲବ, ଏଇ ରଘୁପତି ତୁମ୍ଭ ଦୁହିଁଙ୍କର ପିତା । ଲକ୍ଷ୍ମଣ କନିଷ୍ଠ ତାତ । ଜନନୀ ସୀତାଦେବୀ, ଆଉ ଏହି ରାଜର୍ଷି ଜନକ ମାତାମହ ।

 

ସୀତା – (ହର୍ଷ, ବିଷାଦ ଓ ବିସ୍ମୟରେ ଦେଖି) କଣ ତାତ !

 

କୁଶଲବ – ହା ତାତ, ହା ଅମ୍ବା , ହା ମାତାମହ !

 

ରାମ-ଲକ୍ଷ୍ମଣ – (ହର୍ଷରେ ଆଲିଙ୍ଗନ କରି) ବତ୍ସ, ପୁଣ୍ୟଫଳରୁ ସିନା ତୁମ୍ଭଙ୍କୁ ପାଇଲୁଁ ।

 

ସୀତା – ଆସ ମୋ ଧନ କୁଶ, ଧନ ଲବ, ଜନ୍ମାନ୍ତରପ୍ରାପ୍ତ ଜନନୀଙ୍କୁ ଭଲ କରି ଟିକିଏ ଆଲିଙ୍ଗନ କର ।

 

କୁମାରଦ୍ୱୟ – (ସେହିପରି କରି) ଧନ୍ୟ ହେଲୁଁ ।

 

ସୀତା – ଭଗବାନ ! ମୋହର ପ୍ରଣାମ ।

 

ବାଲ୍ମୀକି – ବତ୍ସେ ! ଏହିପରି ଏକା ଚିରକାଳ ହୁଅ !

 

ସୀତା – କି ଆଶ୍ଚର୍ଯ୍ୟ ! ତାତ, କୁଳଗୁରୁ, ଗୁରୁଜନ, ସଭର୍ତ୍ତୃକା ଆର୍ଯ୍ୟା ଶାନ୍ତାଦେବୀ, ଲକ୍ଷ୍ମଣଙ୍କ ସହିତ ଆର୍ଯ୍ୟପୁତ୍ର, ଆଉ କୁଶ ଲବ ସମସ୍ତେ ସୁପ୍ରସନ୍ନ ଦିଶୁଛନ୍ତି । ତେଣୁ ମୋହର ଆଜି ଭରା ଆନନ୍ଦ ।

(ନେପଥ୍ୟ କୋଳାହଳ)

 

ବାଲ୍ମୀକି – (ଉଠି ଚାହିଁ) ଓହୋ ! ଲବଣକୁ ବଧ କରି ମଥୁରେଶ୍ୱର ଆସିଗଲେଣି ? ମଙ୍ଗଳ ମଙ୍ଗଳକୁ ଅନୁସରଣ କରେ ।

 

ଲକ୍ଷ୍ମଣ – ମଙ୍ଗଳ ସବୁ ପଛକୁ ପଛ ଲାଗିଥାଏ ।

 

ରାମ – ଏ ସମସ୍ତ ଅନୁଭବ କଲେ ସୁଦ୍ଧା ମୋହର କାହିଁକି ବିଶ୍ୱାସ ହେଉନାହିଁ; ଅଥବା ଅଭ୍ୟଦୟର ଏହି ପ୍ରକୃତି !

 

ବାଲ୍ମିକୀ – ରାମଭନ୍ଦ୍ର ! କହନ୍ତୁ, ଆଉ ଆପଣଙ୍କର କି ପ୍ରିୟ ଉପକାର କରିବି ?

 

ରାମ – ଏହାଠାରୁ ବଳି ଆଉ କଣ ପ୍ରିୟ ଅଛି ? ତାହାହେଲେ ଏହାଇ ହେଉ –

 

ଶବ୍ଦବ୍ରହ୍ମଅନୁଭବୀ            ପରିଣତ ଜ୍ଞାନ କବି

ମହାମୁନିଙ୍କର ଏହି ମନୋଜ୍ଞ ବାଣୀ

ଭୂତଧାତ୍ରୀ ବିଶ୍ୱମ୍ଭରା       ପୁଣ୍ୟ ମନ୍ଦାକିନୀଧାରା

ପରାଏ ଉଦ୍ଧରୁ ପାପୁ, ବିଶ୍ୱକଲ୍ୟାଣୀ,             ରୂପକରୂପେ ଏ ଭୁବନେ

ବିମୋହିତ କରୁ ସର୍ବ ବିବୁଧଜନେ ।

(ସମସ୍ତଙ୍କର ପ୍ରସ୍ଥାନ)

 

ଇତି ‘ସମ୍ମେଳନ’ ନାମ ସପ୍ତମ ଅଙ୍କ ।

 

ସମାପ୍ତ