ବିମଳାକ୍ଷୀ ବିମଳ କମଳ ଚରଣ
ବିଘ୍ନ ବିନାଶନ ମନ କର ସ୍ମରଣ ।୧।
ବିଜେ କରିଛନ୍ତି ମାତ ନୀଳ ନଗରେ
ବିଶାଳ ବାହୁଙ୍କ ନଇରୁତ ଦିଗରେ ।୨।
ବିରାଜେ ଚରଣେ ହେମ ପାହୁଡ଼ା ବଳା୧
ବିଚିତ୍ର ବର୍ଣ୍ଣରେ ହୃଦେ କୁସୁମ ମାଳା ।୩।
ବିଶୁଦ୍ଧ ସୁବର୍ଣ୍ଣେ ଶୋହେ ଶ୍ରୀକରେ ବାହି
ବିରାଜଇ ବାହେ ତାଡ଼ ମନକୁ ମୋହି ।୪।
ବିଭୂଷଣ ଗଣ କେହୁ କହିପାରିବ
ବୀକ୍ଷଣରେ ଈକ୍ଷଣ ତ ସ୍ଥକିତ ହେବ ।୫।
ବିଧୁ ସରି ନିକି ସେ ପ୍ରସନ୍ନ ମୁଖକୁ
ବିନାଶ କରନ୍ତି ଯେ ବିଷମ ଦୁଃଖକୁ ।୬।
ବିମଳ ସୁବର୍ଣ୍ଣ ଅକ୍ଷିତ୍ରୟ ବିରାଜେ
ବିମ୍ବ ଆଡ଼ମ୍ବର ତାର ଅଧର ଗଞ୍ଜେ ।୭।
ବିପୁଳତର ଅଟନ୍ତି ସେ ପୟୋଧର
ବିବିଧ ବର୍ଣ୍ଣରେ ଲାଗୁଥାନ୍ତି ଅମ୍ବର ।୮।
ବିଭାକର ତେଜୁଁ ତେଜ ଅଟେ ଉତ୍କଟ
ବିସ୨ ସମ ବାମକରେ ଅମୃତ ଘଟ ।୯।
ବିଷଧର ଆର କରେ ସୁନ୍ଦର ଦିଶେ
ବିକାଶ ସାରସ ବିଷ ସାଦୃଶ ଦିଶେ ।୧୦।
ବିତରନ୍ତି ଦକ୍ଷକର କରଜେ ବର
ବିଗଣିତ ଅକ୍ଷମାଳ ଆରକ କର ।୧୧।
୧। ବଳା, ପାହୁଡ଼ା, ତାଡ଼ ଆଦି ଉକଳୀୟ ନାରୀମାନଙ୍କର ଅଳଙ୍କାରଭେଦ ।
୨। ବିସ= ମୃଣାଳ ।
ବିଧି ହର ଶକ୍ତି ଯାର ନ ଜାଣେ ଲେଶ
ବୁଦ୍ଧିହିଁ ପ୍ରଥମେ ପୁଣି ଯାହାର ବଶ ।୧୨।
ବିଚାରିଲେ ସୃଷ୍ଟି ଯାର ହୁଅଇ ଆନ
ବିଭୁତି ସେବିଛି ଯା ନୟନ ଅୟନ ।୧୩।
ବିଧିବର ନିକି ତେଡ଼େ ଆହାଲ୍ଲାଦକ
ବିଧାନ କରନ୍ତି ଯେହୁ ବ୍ରହ୍ମାଣ୍ଡ ଯାକ ।୧୪।
ବିନା ଆଜ୍ଞାରେ ଯାହାର ନ ଚଳେ ତୃଣ
ବିଚାରି ମୁଁ ତାହାକୁ କରିଛି ଶରଣ ।୧୫।
ବିଧିରଚନାରେ ନାହିଁ ମୋପରା ହୀନ
ବିବିଧ ପାପ ବିଧାନେ ମୁଁ ମୋ ସମାନ ।୧୬।
ବିମଜ୍ମନ ହୋଇବାରୁ ବହୁ ବିପଦେ
ବିଶ୍ୱାସେ ଶରଣ ଗଲି ତାହାଙ୍କ ପଦେ ।୧୭।
ବିନାଶ କରନ୍ତୁ ଅବା କରନ୍ତୁ ତ୍ରାହି
ବିମଳେ ବିମଳେ ବୋଲୁଥିବି ତ ମୁହିଁ ।୧୮।
ବିଶିଷ୍ଠ ଜନେ ଏ ଅନ୍ତେ ଶ୍ରବଣ କର
ବିଚକ୍ଷଣା ବାଳିକା ବିଳାସ ପ୍ରକାର ।୧୯।
ବିଳାସବତୀ ନାମରେ ଏକ ନଗର
ବୀରବର ନାମେ ତହିଁ ନରଈଶ୍ୱର ।୨୦।
ବିନୋଦିନୀ ବୋଲି ତାର ସୁଶ୍ରୀ ବନିତା
ବିଚକ୍ଷଣା ନାମେ ତାର ଏକ ଦୁହିତା ।୨୧।
ବିଷମ ଶରର କିସେ ଅଟେ ସ୍ୟନ୍ଦନ
ବୀକ୍ଷଣରେ ମୋହିପାରେ ଈଶ୍ୱର ମନ ।୨୨।
ବିବିଧ ଗୁଣ ଗଣରେ ଅଟେ ନିପୁଣା
ବୀଣାଦି ବାଜଣା ବାଣୀ କରଇ ବଣା ।୨୩।
ବିରଞ୍ଚି ରଚି ନଥିବ ତେଡ଼େ ସୁନ୍ଦର
ବିଧୁ ସେ ଅଟଇ ନର ନେତ୍ର ଚକୋର ।୨୪।
ବୀରବର ଦେଖି ତାର ଯୁବତୀ କାନ୍ତି
ବିଭା କରିବାକୁ ବର ଖୋଜୁଥାଆନ୍ତି ।୨୫।
ବିହି ବିହିଥିମ କାହିଁ ଏହାକୁ କାନ୍ତ
ବିଚାରି ଏ ଚିନ୍ତା କରୁଥାନ୍ତି ଏକାନ୍ତ ।୨୬।
ବିଭାକର ଅବସାନେ ଦିନେ ସେ ବାଳା
ବିଷ୍ଣୁ ଦରଶନ ଆସେ ଗମନ କଲା ।୨୭।
ବିଶ୍ୱାସ ସଖୀ ବିରାମ ଅଛି ତା ସଙ୍ଗେ
ବିଜେ କରେ ବିଚକ୍ଷଣା ବିଚିତ୍ର ରଙ୍ଗେ ।୨୮।
ବୀଣା ଘେନି ଏହିକାଳେ ନାରଦ ମୁନି
ବିବୁଧପୁରରୁ ଆସୁଥିଲେ ଅବନୀ ।୨୯।
ବୀକ୍ଷଣ କରି ସେ ବିଚକ୍ଷଣା ମୂରତି
ବିମୋହିତ ହେଲେ କ୍ଷଣେ ମାତ୍ର ସେ ଯତି ।୩୦।
ବିଚାରନ୍ତି ମର୍ତ୍ତ୍ୟେ ଛନ୍ତି ଏଡ଼େ ସୁନ୍ଦରୀ
ବିହି ଭଲା ବିହିଲା ଏହାକୁ କି କରି ।୩୧।
ବିଦଳିତ କୁନ୍ତଳ କି କଜ୍ଜ୍ୱଳ ସମ
ବିଧୁଖଣ୍ଡ ଗଣ୍ଡସମ ନୋହେ ସୁସମ ।୩୨।
ବିଷମ ବାଣ ଦର୍ପଣ ଜିତ ବଦନ
ବିସ ପ୍ରସୂନ ଚନ୍ଦ୍ର ହିଁ ନୋହେ ସମାନ ।୩୩।
ବିଦ୍ରୁମ ବିମ୍ବ ବିଡ଼ମ୍ବ ଅଧର କାନ୍ତି
ବିମୁଦ୍ରିତ କୁନ୍ଦ ପରି ଦଶନ ପନ୍ତି ।୩୪।
ବିକାଶ କାଶ ବେଶକୁ ହାସ ଦିଶିବ
ବିଧୁକର ଦରକୁ ଏ କଣ୍ଠ ଦୁଶିବ ।୩୫।
ବିଦେହ କେଳି କନ୍ଦୁକ ହେବ ଏ ସ୍ତନ
ବିମଳ କମଳ କଢ଼ି କିଏ ସମାନ ।୩୬।
ବିଲକ୍ଷିତ ନୋହେ କଟି ଗୋଟିକି ତନୁ
ବିପରୀତ ରମ୍ଭା ଯୁଗ ଜିଣିଛି ଜାନୁ ।୩୭।
ବିଷ ବେଶ କିଶ ବୁଝି କରକୁ ତୁଳି
ବିପଲକ ହୋଇ ଚାହିଁ ଯହିଁ ଅଙ୍ଗୁଳି ।୩୮।
ବିପୁଳ ଶ୍ରୋଣି ଜିଣିଛି ଉପମା ଶ୍ରେଣୀ
ବିହିକିହିଁ ପାଦତଳେ ରଖିବ କିଣି ।୩୯।
ବିଦ୍ୟୁତ କେତକୀ କାନ୍ତି କୁନ୍ଦନ ଯେତେ
ବିରୂପ ଦିଶିବେ ତନୁ ତୋରା ସଙ୍ଗତେ ।୪୦।
ବିଭା ହେବାକୁ ଏହାକୁ ବର ଥିବନା
ବିଲୟରେ କରେ ଏହି କଥା ଭାବନା ।୪୧।
ବିଚାରୁ ବିଚାରୁ ହୃଦେ ହେଲା ବ୍ୟକତ
ବିଶିଷ୍ଠ ବଂଶୀ ବସନ୍ତତିଳକ ସୁତ ।୪୨।
ବିଶେଷି ଜାଣିଲେ ନାମ ବ୍ରଜମୋହନ
ବିଦିତ ନଗର ଯାର ବ୍ରଜସଦନ ।୪୩।
ବିଚକ୍ଷଣା ରୂପ ଅନୁରୂପ ସେ ଘେନି
ବିଭା ସଂଘଟନ ଆଶେ ଚଳିଲେ ମୁନି ।୪୪।
ବିମଳାକ୍ଷୀ ବିକଚ ବନଜ ଚରଣ
ବିନା ବ୍ରଜନାଥର ଆଉ କେ ଶରଣ ।୪୫।
ବରୁଣ ଦିଗରେ ଅଛି ଯେ ନଗରେ ନାମ ତାର ବ୍ରଜସଦନ
ବସୁମତୀ ବର ବରନୀ ଶିରର ଅଟେ ସେ ଯତନ ରତନ
ବଡ଼ିଶ, କିବା ସେ ନୟନ ମୀନର
ବ୍ରଜଧରପୁର ପରି ପୁରବର ଥିବାରୁ ଆଭାଷେ ମନର ।୧।
ବଇକୁଣ୍ଠ ପରି ଲକ୍ଷ୍ମୀ ଚକ୍ରଧାରୀ ଅଛି ସେ ସର୍ବଦା ସମୟେ
ବଳିପୁରି ଅବା ବଳି ଭୋଗିଥିବା ସକାଶରୁ ହୋଏ ହୃଦୟେ
ବସୁଧା, ଯେଣୁ ସେ ନନା ରସଧର
ବଲ୍ଲକୀ ପ୍ରକାର ସାର ଗୁଣାକର ଛତ୍ରାବଳୀରେ ମନୋହର ।୨।
ବସନ୍ତ ସମାନ ସୁବାସେ ସୁମନ ମାନେ ହୋଇବାରୁ ପ୍ରଫୁଲ୍ଲ
ବରଷା ପ୍ରକାର ଜାତୀ କଦମ୍ବର ବିକାଶ ବଢୁଛି ଅତୁଲ୍ୟ
ବହୁତ, ବୋଳି ହୋଇ ଚନ୍ଦ୍ରଚନ୍ଦନ
ବନ ବିହାରରେ ମାତିବାରୁ ନରେ ଗ୍ରୀଷ୍ମହିଁ ହୋଏ ଅନୁମାନ ।୩।
ବଳଭଦ୍ର ପରି ଦିଶେ କେଉଁ ପୁରି ସୁଧାବଶୁଁ କରି ଧବଳ
ବସିଛି କଳସ ଯାହା ତା ଶିରୀଶ ଦେଶେ ସେ ସପ୍ତଫଣୀ ଚୂଳ
ବହୁତ, ଦୋପରି ତିପୁରି ଭଦର୧
ବଙ୍ଗଳା ମଣ୍ଡପ୧ ଅଟାଳି ଅମାପ ଜଗତିରେ ଅତି ସୁନ୍ଦର ।୪।
ବର୍ତ୍ତୁଳ ପ୍ରବାଳ-ଖମ୍ବ୨ ଉନ୍ଦ୍ରନୀଳ ମଣି ଶେଣି୨ କଉଁ ସଦନ
ବସିଛି କାଞ୍ଚନ ଚାରୁ ଉରା୨ ମାନ ରୂଅ୨ ନାନା ଜାତି ରତନ
ବ୍ରଜରେ, ଠେକରା୨ ପିତୁଳ ବନିଛି
ବଇଡ଼ୁର୍ଯ୍ୟ ଗୋଜ୨ ହୋଇଅଛି ଉଜ ରଜତର ବତା ମାନିଛି ।୫।
୧। ଉତ୍କଳରେ ଗୃହନିର୍ମାଣ ପ୍ରଣାଳୀ ଭେଦରେ ନିର୍ମିତ ଗୃହାବଳୀର ପ୍ରକାର ଭେଦ ।
୨। ଗୃହ ବ୍ୟବହୃତ ବିଭିନ୍ନ ଅଂଶର ପ୍ରଚଳିତ ନାମ ।
ବଳିନାହିଁ ରତି-ମାତ୍ର ପୁରରୀତି ତୋଳିଛନ୍ତି ସୁତା ଧରାଇ
ବରାବରି ଚାଳ ସମତୁଲ ମେଳ କରି କତୁରିଲା ପରାଇ
ବସିଛି, ଦୁଇ ପାରୁଶରେ ନଗର
ବଡ଼ଦାଣ୍ଡ ପ୍ରାଏ ପ୍ରତିଧରି ପାଏ ଅତିଶୋଭା ମଧ୍ୟଭାଗର ।୬।
ବସତି ପ୍ରାନ୍ତରେ ବନପାରୁଶରେ ଦିବ୍ୟପୁଷ୍କରିଣୀ ଶୋଭନ
ବନ ତା ସ୍ଫଟିକ ଠାରୁ ସ୍ୱଚ୍ଛଟେକ ପ୍ରାସାଦ ପାବଛ ଘଟଣ
ବନଜ, ଲକ୍ଷ ସଂଖ୍ୟା ଫୁଟି ଅଛନ୍ତି
ବସି ହଂସରାଳୀ ମରାଳମରାଳୀ କୋଳାହଳେ କେଳି କରନ୍ତି ।୭।
ବସେ ସେ ନିକଟ ରତ୍ନାକର ହାଟ ମିଳଇ ଉତ୍କଟ ପଦାର୍ଥ
ବଇଶକୁ ଆଦି ବଣିକାରମାନେ ତାହାର ପ୍ରସାଦୁଁ କୃତାର୍ଥ
ବହୁତ, କରି ଏହା କେତେ କହିବା
ବର ଆୟତ୍ତ ତ ହୋଇଛି ଏ ଗୀତ ସାମାନ୍ୟ ସଂଗ୍ରହ ବିହିବା ।୮।
ବସନ୍ତ ତିଳକ ନାମରେ ବିବେକ ଧାର୍ମିକ ଏ ରାଜ୍ୟ ରାଜନ
ବଇରୀନିକର କରି ହରବର ପ୍ରତାପେ ଜ୍ୱଳନ୍ତା ଜ୍ୱଳନ
ବନିତା, ସମ ବରାଙ୍ଗିନୀ ତାହାର
ବହୁଦିନ ପରେ ଲଭିଲା ସେ ବ୍ରଜ-ମୋହନ ବୋଲିଣ କୁମାର ।୯।
ବଡ଼ହୋଇ କାମ ରୂପେଅନୁରୂପ ହେଲେ ହେଁ ତାକୁ ନୋହେ ସରି
ବସୁଧାଭୂଷଣ ଯେତେକ ଲକ୍ଷଣ ଗଣ ତା’ଠାରେ ଛନ୍ତି ପୂରି
ବହୁତ, ଗୁଣରେ ଅଟେ ସେ ପୂଜିତ
ବଳବନ୍ତବର ସୁର ନରେଶ୍ୱର ନିକରରେ ଅଟେ ଅର୍ଜିତ ।୧୦।
ବଦନକୁ ତାର ତାର ତାରାବର ମଦନ ମୁକୁର ଅସମ
ବସନ୍ତ କୋକିଳ କଳବାଣୀ ମେଳ ବୀଣାରୁ ବାଣୀ ମନୋରମ
ବନଜ, ନୁହଇ ସଦୃଶ ଶଦୁଶ
ବନ୍ଧୁଜୀବ ମୋତି କାଶକୁହିଁ ଜିତି ଯା ଦନ୍ତ ବାସ ଦନ୍ତ ହାସ ।୧୧।
ବସନ୍ତକାଳରେ ଏକ ଦିନକରେ ବିହାର ଆଶାରେ କୁମାର
ବନକୁ ଗମନ କଲେ ତୋଷମନ ହୋଇ ଘେନି ସଖା ନିକର
ବସିଲେ, ଯାଇଁ ସେ ବିପିନ ଦେଶରେ
ବଡ଼ ସୁଖକର କୋକିଳ ପ୍ରକର କୁହୁକୁହୁ ବାଣୀ ପ୍ରସରେ ।୧୨।
ବହଳେ ସୁମନ ମାନ ଫୁଟି ମନ ହରିନେଉଛନ୍ତି ବାସରେ
ବହୁତ ମଧୁପ ହୋଇଣ ଲୋଲୁପ ଉଡ଼ୁଛନ୍ତି ରସ ଆଶରେ
ବଉଳେ, ଶୋଭା ଦିଶେ ଚୂତ ବିଟପୀ
ବସିକରି ତହିଁ ତରଳିବ ନାହିଁ ମହୀରେ ଅଛି କେଉଁ ତପୀ ।୧୩।
ବହୁଛି ଶୀତଳ ପବନ ସକଳ ସୁବାସ ବହି ଧୀର ଧୀର
ବ୍ରଜମୋହନ ଗ-ହନ ବନାନ୍ତରେ ତୋଳନ୍ତେ ସୁମନ ନିକର
ପଶିଲା, ଆଗେ ଆସି ବର କୋକିଳେ
ବଡ଼ ଉଚ୍ଚସ୍ୱରେ ଭାଷିଲା ମଧୁରେ କୁହୁକୁହୁ ବାଣୀ ମଞ୍ଜୁଳେ ।୧୪।
ବ୍ରଜସୂଚି ଦେହେ ପଡ଼ିଲା ପରାଏ ବୁଡ଼ିଲା ଶୁଣି ଚେତା ତାର
ବସିଲ ଝଟତି ପଶିଲା ଯା ଅତି ମରମେ ମାର ଶର ବାର
ବ୍ରହ୍ମାଣ୍ଡ, ଯାକ ଅନ୍ଧକାର ଦିଶିଲା
ବହନ ଗହନ ବିପିନ ଭିତରୁ ସଦନକୁ ଯିବା ଭାଷିଲା ।୧୫।
ବଚନୁ ତାହାର ଜାଣି ସଖାବର ନବରକୁ ଘେନି ଅଇଲେ
ବହୁତ ପ୍ରକାରେ ବ୍ରଜମୋହନକୁ ବିବିଧ ଆଶ୍ୱାସନା କଲେ
ବସନ୍ତ-, ତିଳକ ଛାମୁରେ ଏ ରୀତି
ବଡ଼ ଗୁପତରେ ପ୍ରକାର ଅନ୍ତରେ ଗୋଚର କଲେ ସଖାତତି ।୧୬।
ବହି ମନେ ଯଥା ଖୋଜିଲେ ସର୍ବଥା ନ ମିଳିଲା ତା ସମ କାନ୍ତା
ବଢିଲା ଏ ହେତୁ ଘେନି ବେଳୁଁ ବେଳ ଜନକ ଜନନୀଙ୍କ ଚିନ୍ତା
ବସୁଧା, ବଳୟ ବୁଲିଲେହେଁ ଚାରେ
ବ୍ରଜମୋହନ ରୂପକୁ ଅନୁରୂପ ବାଳୀ ନ ମିଳିଲା ସଂସାରେ ।୧୭।
ବସନ୍ତ ତିଳକ ଏହି ମନେ ଦୁଃଖ ଧରି ଦିନେ ଶୋଇଛନ୍ତି
ବ୍ରହ୍ମାନନ୍ଦନ ସ୍ୱ-ପନରେ କହିଲେ ବିଚକ୍ଷଣା ରୂପ କାନ୍ତି
ବହନ, କରି ତୁ ଚାର ପେଷ ରାଜା
ବଡ଼ ସୁନ୍ଦର ବି-ଳାସବତୀପୁର ନୃପବର ବର ତନୁଜା ।୧୮।
ବଚନ ଏତେ କ-ହିଗଲେ ସେ ଯତି ଚେତି ମହୀପତି ଉଠିଲା
ବରାଙ୍ଗିନୀ ଆଗେ ସ୍ୱପନ ବୃତ୍ତାନ୍ତ ସମସ୍ତ ସଂକ୍ଷେପି କହିଲା
ବନଜ-, ବନ୍ଧୁହିଁ ଉଦୟ ହୋଇଲେ
ବହିଲା ସାରସ ସୁବାସ ପବନ କାକ କା କା ବାଣୀ କହିଲେ ।୧୯।
ବଲ୍ଲଭ ବିହୀନ ବଲ୍ଲଭ ଦହନ ସମାନ ଦିଶିଲେ କୁମୁଦ
ବହୁତ ରୂପେ ଚ-କ୍ରବାକ ଦମ୍ପତ୍ତି ମତ୍ତେ ହୋଇଲା ଅତିମୁଦ
ବଢିଲା, ଚୋରାନିକର କରଦର
ବସିଲେ କମଳ କୋଳରେ ବୃଷଳ କୁଳ କରି ଅତି ଆଦର ।୨୦।
ବସନ୍ତତିଳକ ଅନ୍ତଃପୁରୁ ଆସି ବାହାରେ ହେଲେ ଅବକାଶ
ବଡ଼ ବେଗେ ପୁରୋହିତକୁ ପେଷିଲେ ବିଳାସବତୀ ପତି ପାଶ
ବଚନେ, କହିଲେ ଆଉ କି କହିବା
ବ୍ରଜମୋହନ ବି-ଭାହେବ ଯେରୂପେ ଆଜହୁଁ ନିଶ୍ଚିନ୍ତ ହୋଇବା ।୨୧।
ବଳଭଦ୍ର ନାମ ସୁମରି ସେ ପୁରୋ-ହିତ ବିପ୍ରବର ଚଳିଲେ
ବସି ସୁଖାସନେ ସନ୍ତତ ଗମନେ ବୀରବରପୁରେ ମିଳିଲେ
ବଳରେ, ଯୋଗଲଗ୍ନ ଶୁଭ ବିଚାରି
ବସନ୍ତତିଳକ ବ୍ରାହ୍ମଣ ବହନ ଭେଟିଲେ ଯାଇଁ ଦଣ୍ଡଧାରୀ ।୨୨।
ବଚନ ଚାତୁର୍ଯ୍ୟେ ବିବାହବିଷୟେ କଥାକଥନକୁ ରଚିଲେ
ବହୁତ କାଳ ବି-ଳମ୍ବ କରିବାର ନ ସହଇ ପୁଣି ସୂଚିଲେ
ବ୍ରହ୍ମା ତ, ଏହା ପୂର୍ବଁ ଥିଲା ଭିଆଇ
ବସୁନ୍ଧରୀ ପତି ମତିକି ପାଇଲା ବଡ଼ ସନ୍ତୋଷେ କଲେ ସହି ।୨୩।
ବର କନ୍ୟା ରାଶି ମେଳକ ବିଶେଷି ଦେଖିଲେ ସର୍ବ ଶୁଭ ଅଛି
ବଳେ ଅର୍କଗୁରୁ ବିଶୁଦ୍ଧ ହେବାରୁ ତାରା ଚନ୍ଦ୍ରହିଁ ଶୁଭ ବାଛି
ବହୁଳ, ଭାର୍ଗବ ଆଦି ଗ୍ରହକୁଳ
ବଳ ସ୍ଥିତି ସ୍ଥାନ ଶୁଭବିଧି ମାନ ଚିନ୍ତି ସାଧିଣ ବିଭାକାଳ ।୨୪।
ବସାଘର ଦେଇ ଚରଚା କରାଇ ବହୁ ସ୍ନେହେ ତାକୁ ରଖିଲେ
ବତିଶଦିନରୁ ସେ ଦିନ ଅବଧି ବିଭାତିଥି ଅଛି ଲେଖିଲେ
ବନିତା, ସଙ୍ଗେ କଲେ ବସି ବିଚାର
ବନ୍ଧୁବାନ୍ଧବଙ୍କୁ ବିଚାରି ବସନ୍ତ-ତିଳକଠାକୁ କଲେ ଚାର ।୨୫।
ବ୍ରଜଭୁବନ ବୀ-ରବର ସଦନ ସମ୍ପତ୍ତିରୁ ତୋଷ ହୋଇଲେ
ବତିଶଦିନ ଲେ-ଖନ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ପାଇଲେ
ବସିଲେ, ସମ୍ଭାର ତିଆର କରଣେ
ବଇଠା ଜାଳି ରାତି ରାତି ଭିଆଣ ପତରକୁ କଲେ କରଣେ ।୨୬।
ବ୍ରଜମୋହନ ବି-ବାହ ବିଷୟେ ତ ପୂର୍ବୁଁ ତନ୍ମନ ହୋଇଥିଲେ
ବନିତା ସୌନ୍ଦର୍ଯ୍ୟ-ପଣ ଗୁଣ ପୁରୋ-ହିତ କହିବାରୁ ଶୁଣିଲେ
ବଳ ତ, ସହଜେ ମଦନର ଥିଲା
ବଲ୍ଲଭୀ ସଙ୍ଗ ଆ-କାଙ୍କ୍ଷା ପୁଣି ତାହା ସହସ୍ରଗୁଣେ ବଢାଇଲା ।୨୭।
ବଡ଼ ଚିନ୍ତା ପାଇ ବିରହରେ ଶୋଇ-ଛନ୍ତି ପଲଙ୍କ ଅଙ୍କେ ଦିନେ
ବନଜବଦନୀ ବନଦୁର୍ଗା ଆସି ବସିଲେ ତାର ଶିର ସ୍ଥାନେ
ବଚନ, ରଚନ କଲେରେ କୁମାର
ବଡ଼ ଚନ୍ତାର୍ଥୀ କା-ହିଁକି ହେଉଅଛୁ ନିକଟେ କାର୍ଯ୍ୟ ହେବ ତୋର ।୨୮।
ବନିତା ତୋହର ଏହି ହେବ ହର-ଷରେ କର କର ବୀକ୍ଷଣ
ବର ତୁ ଏହାର ବୋଲି ସେ ତାହାର ରୂପ ଦେଖାଇଲେ ତକ୍ଷଣ
ବଦନ, ଚାହିଁ ସେ ଚନ୍ଦ୍ରବଦନାର
ବହନ ସରାଗେ ଉଚ୍ଛନ୍ନ ହୁଅନ୍ତେ ନିଦ୍ରାନେତ୍ରୁଁ ହେଲା ଅନ୍ତର ।୨୯।
ବଡ଼ ବିରହ ବେ-ଳୁଁ ବେଳ ବଳିଲା ବାଲାଠାରେ ହେଲା ଆବେଶ
ବସନ ସୁବେଶ ବିଷଧର ବିଷ ସଦୃଶ ଘେନିଲା ମାନସ
ବଦନ, ନଳିନ ମଳିନ ଦିଶିଲା
ବଳିନ ସୁବାହୁଁ ଯୁଗ ଚାହୁଁ ଚାହୁଁ କୃଷ୍ଣତର ହୋଇ ଆସିଲା ।୩୦।
ବଧୁଲୀ ଅଧର ଦିଶିଲା ନିଷ୍ଠୁର ବସିଲା ପିକଜିତ ସ୍ୱର
ବକ୍ରିମାବଚନ ରଚନ ହିଁ କଲା ଲୋଚନ ହେଲା ନିରପୁର
ବଢିଲା, ବେଳକୁବେଳ କାମସିନ୍ଧୁ
ବଳାରାତି ପଦ ମତାଇ ବିପଦ ଭଣାଇ ଏକା ବନ୍ଧୁ ବନ୍ଧୁ ।୩୧।
ବନ୍ଧୁର ମଧୁର ମୂରତିକି ଧ୍ୟାୟି ପାଞ୍ଚଇ ନାନା କେଳିମାନ
ବତିଶଦିବସ କେତେ ଅଛି ଶେଷ ଲେଖି ବୋଲଇ ପୁନଃ ପୁନଃ
ବସିବେ, କେଉଁଦିନ କୃଷ୍ଣ ଦୋଳିରେ
ବସାଇବି ଜାନୁ ଦୋଳିରେ ସୁତନୁ ତୋତେ ମୁଁ ଅତନୁ କେଳିରେ ।୩୨।
ବଧୂଲୀ ଅଧରୀ ବକ୍ରେ ଚାହିଁ କରି ବଚନ ମୁଦେ ନ କହିଲୁ
ବଦନ ବନଜେ ବସାଇ ନ ଦେଇ ନେତ୍ର କୁରଙ୍ଗ ଦୂର ହେଲୁ
ବଞ୍ଚିବି, କେମନ୍ତରେ ଏବେ କିଶୋରୀ
ବନ୍ଧୁତୋର ଦୋଷ ନୋହେ ମୋତେ ନାଶ କଲା ମୋ ନିଦ୍ରା ସରସରି ।୩୩।
ବଞ୍ଚନ୍ତି ଏରୂପେ ବିରହ ସନ୍ତାପେ ବଳିଗଲା କେତେ ଦିବସ
ବସୁମତିକାନ୍ତ ସୁତ ଅଭିମତ ଦିବସ ହୋଇଲା ପ୍ରବେଶ
ବର୍ଣ୍ଣିବା, ଆର ଛାନ୍ଦେ ଏ ଚରିତ
ବ୍ରଜପୁରନାଥ ଚିନ୍ତି ବ୍ରଜନାଥ ଦୀନବର କରେ ରଚିତ ।୩୪।
ବାଳିକାମାଳା ମିଳି ବାଜଣା ହୁଳ ହୁଳି
ଉତ୍ସବେ ଆଣି ପାଣି ତୋଳି
ବାସର ନୋହୁ ଉଷା- କାଳୁ ଆସି ସେ ଯୋଷା
ବ୍ରଜମୋହନଙ୍କୁ ଶଙ୍ଖୋଳି ସେ
ବାରିରୁହ-, ବାନ୍ଧବ କ୍ରମେ ଉଦେ ହେଲେ
ବାହାରେ ରାଜା ବିଜେ କଲେ
ବାହାର ହୋନ୍ତୁ ଲୋକ ବୋଲି ନଗରଯାକ
ବେଗେ ଟମକ ଦିଆଇଲେ ସେ ।୧।
ବାଛିଣ ଶୁଭ ବେଳ ବଳ ସେ ମହୀପାଳ
ବାହାର ହେଲେ ଘେନି ସୈନ୍ୟ
ବାଣୀରେ କେଉଁ କବି ବର୍ଣ୍ଣିବ ବଳ ଛବି
ଚାହିଁଲେ ବୁଜିବ ନୟନ ସେ
ବାହାରନ୍ତେ, କମ୍ପିତ ହେଲା ବସୁନ୍ଧରୀ
ବାଦ୍ୟରେ ଦିଗ ଗଲା ପୁରି
ବାଜେ ଅତି ମଧୁର ହୋଇ ମହୁରୀ ବୀର
କାହାଳୀ ଶଙ୍ଖ ଭେରୀ ତୁରୀ ସେ ।୨।
ବାମଦେଦକୁ ଚିନ୍ତି ବ୍ରଜମୋହନ ହାତୀ
ଉପରେ ଯାଇ କଲେ ବିଜେ
ବାମ ଦେଖିଣ ପଛ ପାଖେ ଆଲଟ ପିଛ
ଚାମର ଛତ୍ର ତ୍ରାସ ସାଜେ ସେ
ବାଜେ ଆଗେ, ମଙ୍ଗଳ ରାଗରେ ମହୁରୀ
ବାନା୧ ହିଁ ଉଡ଼େ କେତେ ପରି
ବାର ଚନ୍ଦ୍ରମା ତାର ଶୁଦ୍ଧ ଗଣକ ବାର
କହନ୍ତି ବାର ବାର କରି ସେ ।୩।
୧। ବାନା= ପତାକା ।
ବ୍ରାହ୍ମଣମାନେ ଆସି ମଙ୍ଗଳ ସୁରେ ଆଶୀ-
ର୍ବାଦ କରନ୍ତି ହରଷରେ
ବାଳିକା ମାଳି ମାଳି ହୋଇଣ ହୁଳହୁଳି
ଦିଅନ୍ତି ବେନି ପାରୁଶରେ
ବାଢିଛନ୍ତି, ପ୍ରତି ଦୁଆରେ ପୂର୍ଣ୍ଣଘଟ
ବାରାଙ୍ଗନା କରନ୍ତି ନାଟ
ବହୁ ତୋଳି ପ୍ରଷ୍ଫୁଟ ବଚନରେ ଉତ୍କଟ
କଏବାର୨ କରନ୍ତି ଭାଟ ସେ ।୪।
ବାଜିରାଜିକି ସାଜି ସଜେ ସୁଆରେ ଗାଜି
ପିଠିରେ ବସି ବାହାରିଲେ
ବାଧ କାହାର ମୁନା ବନାଇଛି କେ ମିନା
ମନ ହରୁଛି ଅନାଇଲେ ସେ
କାଖରେ କେ, ବନାଉତରେ ବନାଇଛି
ବାଘ ଚମ କେ ସିଆଇଛି
ବାଗେ ବାଗେ କେ ବାଗ- ମାନ ତୁରଙ୍ଗ ସଙ୍ଗ
ମାନଙ୍କ ଉପରେ ଶୋହିଛି ।୫।
ବାଳ ବଛା କୁରଙ୍ଗ ତରଙ୍ଗକୁ ତୁରଙ୍ଗ
କାହାର ଜିଣି ବାହାରିଛି
ବାଗ ସୁତରେ ଭିଡ଼ି ଜିନାଙ୍ଗ ଯୋଡ଼ି ଯୋଡ଼ି
ଘୋଡ଼ି କେ ଘୋଡ଼ାଇ ନେଉଛି ସେ
ବାହାରିଛି,କେହୁ ପ୍ରଖର ବାଣ ସମ
ବାତ ନ ଛୁଇଁବ କା ଆସୁମ
ବାଳା ନୟନ ଶର ସମାନ କେ ପ୍ରଖର
କେଉଁ ତୁରଙ୍ଗ ଅନୁପମ ସେ ।୬।
ବାଟ ଯାକରେ ନାଟ କରନ୍ତି କାହା କଣ୍ଠ
ଘଣ୍ଟିଘାଗୁଡ଼ି ଧ୍ୱନିକରେ
ବାଜିଲେ ଲେଡ଼ି ଉଡ଼ି ଯିବ କେବଣ ଘୋଡ଼ୀ
ତଡ଼ିତଜିତ କେ ଗତିରେ ସେ
ବାଛିଲେ ତା, ନୁହନ୍ତି କାହାକୁ କେ କମ
ବାର ସହସ୍ର ବାଜୀ ସମ
ବାରଣ ସେ ତୁରଙ୍ଗ ତାଙ୍କର କେତେ ରଙ୍ଗ
ଜାତି କେ ଜାଣିବ ସେ ନାମ ସେ ।୭।
୨। କଏବାର=ସ୍ତୁତିପାଠ, ଯଶୋଗାନ, ଯାହା ଭାଟମାନେ କରନ୍ତି ।
ବାଜିଲେ ଦେହେ ତୁଣବାହାର ହୋନ୍ତି ବାଣ
ପରାଏ କେହୁ ଟାଣ ଭରେ
ବାରାନିଧି ପହଁରି ଯାଇ ପାରିବେ ମାରି
ଦେଲେକ ଲେଡ଼ି ମାତ୍ର ଧୀରେ ସେ
ବାରମ୍ବାର, କାଶୀରେ ଯେହୁ ଝାସିଥିବେ
ବାସରେ ସେ ଅଶ୍ୱ ବାନ୍ଧିବ
ବାସର ମାତ୍ର କରେ କେ ସଂସାରେ ଯା କରେ
ଭ୍ରମଣ କରିଣ ଆସିବ ସେ ।୮।
ବାସବ କରୀ ସରି ପରିପାଳିବ କରି-
ବାର ତ ଅଛନ୍ତି ତହିଁରେ ।
ବାହିଲା ସ୍ରୋତ ତରି ପରି ଟିପିଲେ କରି
ବହି ସେ ଯାଆନ୍ତି ମହୀରେ ସେ
ବାଙ୍କ ହୋଇ, କାହାର ସୁନ୍ଦର ଦଶନ
ବାହାରି ଦିଶଇ ଶୋଭନ
ବାଜିନାହିଁ ତାଙ୍କର ଶିରେ ଦିନେ ମାତର
କର୍କଶ ଅଙ୍କୁଶର ମୁନ ସେ ।୯।
ବାନା ବନ୍ଧା ପଦାତି- ତତି ବଛା ଅଛନ୍ତି
କେ କେଉଁ ଆୟୁଧେ କୁଶଳ
ବାହା କାହାର ଲୌହ- ସମ କାହାର ଦେହ
ପାଷାଣ ପରା ଅକୋମଳ
ବାଘକୁ ହିଁ , କେ ବଳେ ଧରି ନେବ ପ୍ରାଣ
ବାଣୀ କାହାର ବଜ୍ରୁଁ ଟାଣ
ବାସବକୁ ହିଁ କେହି ବଳରେ ନ ଗଣଇ
ଆଉ କେ ତା ଦୃଷ୍ଟିକି ପୁଣ ସେ ।୧୦।
ବାଜିରେ କେ ହରିଣ- ଗଣରୁ ଧପଟିଣ
ବାହୁଟିଆକୁ କେ ଧରଇ
ବାହୁବଳରେ କରି ଧରିଥିଲେ କେ କରୀ
ତା’ଠାରୁ ଯାଇ ନ ପାରଇ
ବାହାପଟେ, କାହା ବାହାରେ ନାହିଁ ରୋମ
ବାଛିଲେ ସେହି ତାହା ସମ
ବାସର ସାରା ନିଶା କସରେ ଇଷି ଭାଷା
ନ ଭାଷେ କେହୁ ପାଇ ଶ୍ରମ ସେ ।୧୧।
ବାଣ କମାଣ ଧରି କେହୁ ଅଛି ବାହାରି
କେ ତହିଁ ବହିଛି ବରଛି
ବାଘ ପେଟ ଲାଙ୍ଗୁଡ଼ କାହା ଦେହକୁ ବଡ଼
ଯତନ ଶୋଭା ପାଇଅଛି ସେ
ବାନ୍ଧିଅଛି, ଅଣ୍ଟାରେ କେହୁ ତରବାରି
ବାଛି ମାରିଛି କେହୁ ଛୁରୀ
ବାଙ୍କୁଟାରୀ କାହା କଟି ଗୋଟିକି ଆହା
ମହା ସୁନ୍ଦର ଅଛି କରି ସେ ।୧୨।
ବାମ କରେ ବଦଉ୩ ଦକ୍ଷିଣକରେ ଦାଉ-
ଦାଉ କରଇ କାହା ଖଣ୍ଡା
ବନା ଲେଙ୍କଡ଼ା କନା କେ ତହିଁ ସୂର୍ଯ୍ୟ ସୈନ୍ୟା
ମୁଣ୍ଡ ସରିକି ଅଟେ ଲଣ୍ଡା ସେ
ବାବୁରି କେ, ରଖିଛି କରି ଶୋଭାବନ
ବାସ କାହାର କାଳୀବନ
ବାଙ୍ଗର ହେଲେ କେହୁ ଅଙ୍ଗରେ ମୋଟ ଯେହୁଁ
ଦିଶୁଛି ଅତି ସୁଯତନ ସେ ।୧୩।
ବାଳ କାହାର ଝୁରୁ- ଝୁରୁ ଉଡ଼ୁଛି ଦୂରୁ
ଦେଖିଲେ ତାକୁ ମାଡ଼େ ଡ଼ର
ବାଙ୍କେ କେ ଚିରା ମାରି ଆଣ୍ଠୁରେ ଝାଡ଼ି ଫରି
ହାଣୁଛି ନାନା ପରିସର ସେ
ବାଜୁଅଛି,ଲମ୍ବୁ କା କର୍ଣ୍ଣେ ନିଶ ଯୋଡ଼ି
ବାଇଶି ଅଙ୍ଗୁଳ କା ଦାଢି
ବାଟ ଯାକରେ କେହୁ ନାଟ କରିଣ ଉହୁଁ
ଉର୍ଦ୍ଦୁଗୀତ ଗାଉଛି ଝାଡ଼ି ସେ ।୧୪।
୩। ବଦଉ= ଢାଲ ଜାତୀୟ ଏକ ଅସ୍ତ୍ର ଯହିଁରେ ଶତ୍ରୁକୁ ଭୁଷିବା ପାଇଁ ତୀକ୍ଷଣାଗ୍ର ଶଳାକା ପରି ଏକ ଲୌହଫଳକ ଖଞ୍ଜା ହୋଇଥାଏ ।ସମର ତରଙ୍ଗରେ ପ୍ରଦତ୍ତ ଅସ୍ତ୍ରଶସ୍ତ୍ରର ଚିତ୍ରାବଳୀ ଦେଖନ୍ତୁ ।
ବାଉଁଶେ ଦେଇ ଗୁଣ ଟଙ୍କାର ଆମଞ୍ଚନ
ଦ୍ରୋଣ କର୍ଣ୍ଣକୁ କେ ହସିଲା
ବାରହାତର ଏକ ଢଙ୍କୁଣ ଧରି ଏକ-
କରକେ ବୀର ପଲାସିଲା୪ ସେ
ବାମକରେ, ଢାଲ କେ ଧରିଛି କପୁରି
ବାଛି ଧରିଛଇ ତରବାରି
ବାଇ ପରାଇ ହୋଇ କେହୁ ଗତି କରଇ
ବାନର ପରି ଚିରା ମାରି ସେ ।୧୫।
ବାଟଯାକରେ ଏହି କଉତୁକରେ ଯାଇ
ବିଳାସବତୀ ଦେଶେ ହେଲେ
ବାକୀ ନୃପ ଉଆସ ରହିଲା ଅର୍ଦ୍ଧକୋଶ
ସେଠାରେ ଯାଇଁ ବିଶ୍ରାମିଲେ ସେ
ବାସରର, ଶେଷହିଁ ଅଛି ଘଡ଼ି ଦୁଇ
ବାର୍ତ୍ତା ବୀରବରଙ୍କୁ ଦେଇ
ବାଦ୍ୟମାନ ବଜାଇ ବ୍ରଜମୋହନ ଯାଇଁ
ବସିଲେ ବରବେଶ ହୋଇ ସେ ।୧୬।
ବାରଣବର ଦନ୍ତ ଚଉକିରେ ଅତ୍ୟନ୍ତ
ତୋଷେ ବିଜୟ ଯାଇଁ କଲେ
ବାସ ସୁବାସ ଦ୍ରବ୍ୟ ଚାଙ୍ଗୁଡ଼ା ଘେନି ସର୍ବ
ଖଟଣି ସେବକେ ଖଟିଲେ ସେ
ବାଢିଦେଲେ, ପୂର୍ଣ୍ଣକଳସ ସାମଗରୀ
ବାଜିଲା ମଙ୍ଗଳ ମହୁରୀ
ବାମନୟନାମାନେ ହୁଳହୁଳି ନିଃସ୍ୱନେ
କଲେ ମାନସଧନ-ଚୋରି ସେ ।୧୭।
୪। ପଲାସିଲା= ଅତି କ୍ଷିପ୍ର ଗତିରେ ଚାଲିଲା ।
ବାନ୍ଧି ଶିରେ ମୁକୁଟ ପୃଷ୍ଠଦେଶରେ ପାଟ-
ଝୁମ୍ପିକୁ ନେଇ ଲମ୍ବାଇଲେ
ବାମକର୍ଣ୍ଣ ଉପର ଭାଗେ ଅଅଁଳାଇର
ସୁନ୍ଦର ଖରା ଖଞ୍ଜିଦେଲେସେ
ବାରିଜାକ୍ଷେ, ଅଞ୍ଜନ ରଞ୍ଜନ ବିହିଲେ
ବାର ଦ୍ୱିଭୁବନ ମୋହିଲେ
ବାଳସମ କମରେ ଅଳତା ସୁଷମରେ
କମଳ ଚରଣେ ଲିହିଲେ ସେ ।୧୮।
ବାନ୍ଧିବା ଘେନି ତନୁ- ସ୍ଥିତ କାମ କୃଶାନୁ
ଜ୍ଵଳନ ହେବାକୁ ସେ ନାଶ
ବାଛି ଏଣୁ ଇଷିତ ନାମୁ ହେଲେ ଭୁଷିତ
ସବୁହିଁ ଶୁକ୍ଳ ଫୁଲବାସ ସେ
ବାଣୀରେ କି, ସେ ବେଶ ଶେଷ କରି ହେବ
ବାଛି କେ ଉପମା ଗାଇବ
ବାମାମାନଙ୍କୁ ବାମ- ଦେବ ବଇରୀ ବାମ
କେବଳ ଆଜି ହିଁ ହୋଇବ ସେ ।୧୯।
ବାଣ ଚନ୍ଦ୍ରଦୀପକ ମସାଲ ମାନ ଲୋକ
ମାନଙ୍କଠାରେ ଖଞ୍ଜିଦେଲେ
ବାଟେ ରୂପା କାଞ୍ଚନ ବରାଟକ ବିଞ୍ଚନ
ଅର୍ଥେ କାହାକୁ ନିଯୋଜିଲେ ସେ
ବାଦ୍ୟକାର, ତରବିଡ଼୬ ରେ ରହିଲେ କେ
ବାଜା ମରାମତରେ ଥୋକେ
ବାଟ ଶୋଧାଇ୭ ଧାଈ ବେହେରା୮ଙ୍କର ପାଇଁ
ଧାଇଁଲେ ଆଗ ହୋଇ କେ କେ ସେ ।୨୦।
୫। ଅଅଁଳାଇ = ପୁଷ୍ପ ପିଶେଷ
୬। ତରବିଡ଼ = ହୁସିଆର, ସାବଧାନ, in readiness.
୭। ବାଟ ଶୋଧାଇ = ଯେ ବାଟ ପରିଷ୍କାର ଅଛି କି ନା ଦେଖେ ।
୮। ଧାଈ ବେହେରା = ରଜାଘର ପ୍ରଧାନ ଧାଈ – Head nurse .
ବାଜିରାଜୀ ସୁଆର ପଦାତି ଦନ୍ତୀ ବାର
ହୋଇଲେ ତାରତର ବେଶ୯
ବାରିବାଲୁକା ଖୁରି୧୦ ବେଳରୁ କରି ବାରି
ବେଳ କହିଲା ଜଉତିଷ ସେ
ବାହାରିଲେ, ସମସ୍ତେ ହୋଇ ମହା ତୋରା୧୧
ବାସବ ନୋହେ ତାଙ୍କ ପରା
ବାଳବୃଦ୍ଧା ତରୁଣୀ ବର ସୌନ୍ଦର୍ଯ୍ୟ ଶୁଣି
ଧାଇଁଲେ ହୋଇ ମହା ତୋରା ସେ ।୨୧।
ବାମନୟନା କେହି ଚାହିଁ ହୋଇଲା ମୋହି
କାମକାଣ୍ଡେ କେ ଗଲା ଝାମ୧୨
ବାସ ହେଲା କାହାର ଚାଲୁଣି ପରକାର
ହେବାରୁ କାମେ ରୋମୋଦ୍ମମ ସେ
ବାଟରୁ କେ,ଅବାଟେ ଗଲା ଜ୍ଞାନ ହାରି
ବାନ୍ଧେ କେ ନୀବି ଦୃଢ କରି
ବାଳଯୁବତୀ ଧୃତି ଛାର ବା କେତେ ଏଥି
ବାଇ ହୋଇଲେ ବୃଦ୍ଧ ନାରୀ ସେ ।୨୨।
ବାରିଦକାଳ ପରା ପ୍ରତେ ହେଲା ସେ ତୋରା
ହାବେଳି ବିଜୁଳି ବିରାଜେ
ବାଦ୍ୟ ବାରଣ ରଡ଼ି ବାରିଦ ଘଡ଼ଘଡ଼ି
ବାନା ବାସବଚାପ ସାଜେ ସେ
ବାରନାରୀ, ଶିଖୀ ନାଚେ ତା କତାଧରେ
ବାଣୀକି ବିସ୍ତାରୀ ରାଗରେ
ବାଟଯାକ କାଞ୍ଜନ ରୂପା କଉଡ଼ିମାନ
କରକା କିବା ବୃଷ୍ଟିକରେ ସେ ।୨୩।
ବାଳା ପାଣି ଗ୍ରହଣ ହେଲେ ଯାଇଁ ଏ ଦ୍ରୋଣ
ଘନରସକୁ ବରଷିବ
ବାନ୍ଧିଛି ଯେ ବିରହ ଗ୍ରୀଷ୍ମକୁ ମାର ଦେହ
ସ୍ତୋକକୁ ପିଇ ଉଲୁସିବ ସେ
ବାରିବୁଡ଼ା, ବାଣ କେ କୁତୁକେ ମାରନ୍ତି
ବାଛି କେ ଚଅଁର ଝାରନ୍ତି
ବାରଣମୁଣ୍ଡା ସ୍ନାନ ଚମ୍ପା କେବଣ ଜନ
ଧରିଣ ସ୍ନାହାନ କରାନ୍ତି ସେ ।୨୪।
୯। ତାରତର ବେଶ= ଉପଯୁକ୍ତ, ତେଜିୟାନ ବେଶ – Sprightly dressed.
୧୦। ବାରିବାଲୁକା ଖୁରି = ମୁହୂର୍ତ୍ତ ଜାଣିବା ପାଇଁ ବ୍ୟବହୃତ ଜଳଘଟିକା ଆଦି ଉପକରଣ ବିଶେଷ ।
୧୧। ତୋରା = ବ୍ୟସ୍ତସମସ୍ତ ତରତର ଉତ୍ସୁକ ।
୧୨। ଝାମ ଗଲା= ଅଚେତ ହୋଇଗଲା ।
ବାଦ୍ୟ ଶବଦ ବାଣ ବାଜୀ, ଗଜ ଗର୍ଜନ
ଜନବଚନ କୋଳାହଳେ
ବାରି ନୋହିଲା କାନ ପାଖେ ଆଣ୍ଟେ ବଚନ
କହିଲେ ହେଁ ପହିଲେ ତିଳେ ସେ
ବାଛି ଗଣି, ହେବ ଆଲୋକ ରୋମମୂଳ
ବାଟେ ଅବାଟେ ଜନେ ଠୂଳ
ବାଟ ବରଣ କରି ଖଣ୍ଡେ ଦୂରକୁ ବରି
ନେଲେ ଭୁପାଳ ଜ୍ୟେଷ୍ଠବାଳ ସେ ।୨୫।
ବ୍ରାହ୍ମଣେ ବେଦ ବିଧି ବିଧାନେ ନେଇ ବେଦୀ-
ପରେ ବରଙ୍କୁ ବସାଇଲେ
ବାଳ ହରିଣୀ ଦୃଶୀ ବିଚକ୍ଷଣାକୁ ଦାସୀ
ମାନେ କନିଆ ବେଶ କଲେ ସେ
ବାମଦେବ, ବ୍ରହ୍ମା ବାସବ ଯା ଅଧୀନ
ବାସୁଦେବ ଯା ବଶମାନ
ବାସର ନିଶା ସେହି ଜନନୀ ପାଦ ଦୁଇ
କରଇ ବ୍ରଜନାଥ ଧ୍ୟାନ ସେ ।୨୬।
(ବଂ-ଆଦ୍ୟ ନିୟମ)
ବଂଶୀଧର ମନେ ସୁମରି ସୁମନେ
ଶୁଣ ବିଚକ୍ଷଣା ବିଭା
ବଂଶ ଗୋତ୍ର ନାମ ବାକ୍ୟେ ଆଦ୍ୟ କର୍ମ
ଦ୍ୱିଜବରେ କରି ନିର୍ଭା ।୧।
ବଂକିମ ଭୁରୁକୁ ତଦନ୍ତେ ଅନାଇ
କଲେ ଲବଣ ଚଉଁରି
ବଂଚାଇ କି ଆସେ ଚାହିଁ ଗଲା ହାସେ
ନେଲା କାନ୍ତ ଚିତ୍ତ ହରି ।୨।
ବଂଧୁଜୀବାଧରୀ ଗୋରୀକି ଦାସୀଏ
ବେଦିକି ଆଣିଲେ ପୁଣି
ବଂଶାନୁରୂପରେ କର୍ମ କ୍ରମେ କରି
ବିପ୍ରେ ଭଣି ବେଦବାଣୀ ।୩।
ବଂଶ ବଇସାଲ କାଠି ତ ପୂର୍ବରୁ
ବିଧିମତେ ପୋତିଥିଲେ
ବଂଧନ କୁଶେ ଦୁ- ହିଙ୍କ କର କରି
ଶିଳା ରୋହଣ ରଚିଲେ ।୪।
ବଂଧୁ ପଦକର ଧରି ଫୁଲ କରେ
ଫୁଲୁଛି କୁମାର ଅଙ୍ଗ
ବଂଧ କଉତୁକ ଚିନ୍ତନ୍ତେ କାୟକ
କାଣ୍ଡେ କାଟୁଛି ଅନଙ୍ଗ ।୫।
ବଂଟାଇ ତଣ୍ଡୁଳ ଦେଲେ ବିପ୍ରକୁଳ
କରେ ଆଶୀର୍ବାଦ ପାଇଁ
ବଂଦାପନା ପୁଣି ସାଧବ ତରୁଣୀ
କଲେ ହୁଳହୁଳି ଦେଇ ।୬।
ବଂଦାଇଲେ ହେମ ରଜତ ଯତନ
ରତନ ବାନ୍ଧବ ଜନେ
ବଂନେ ବନେ ହୟ ବାରଣ ନିଚୟ
ସ୍ନେହେ ଅକଳୁଷ ମନେ ।୭।
ବଂଧାଇ ଦିଅନ୍ତି ଧେନୁ ପନ୍ତି ପନ୍ତି
ଧଳା କଳା ବଛା ତୁଲେ
ବଂଜୁଳା ମଞ୍ଜୁଳ କାମଧେନୁ ତୁଲ୍ୟ
ବଛା ତ ସେ ବଛା କୁଳେ ।୮।
ବଂଧ ହେଲା ଜନ ମାନସ ନୟନ
ଦାନ କଲେ ଯା ବନ୍ଦାଣେ
ବଂଦୋବସ୍ତ କରି ନବରକୁ ବର
ଘେନିଗଲେ ସଖୀମାନେ ।୯।
ବଂଧାଇଲେ ଯୁତ- ଖେଳରେ ମୃଣାଳେ
ମହାମତ୍ତ କରି କର
ବଂଧୁକ ଘେନି ପୁ- ଣ ପଞ୍ଚଗରାସି
କଲେ ସେ କୁମାର ବର ।୧୦।
ବଂଧା ଘେନି କାନ୍ତ ଚିତ୍ତ ବିତ୍ତ ବାଳୀ
ଆଳୀ ମେଳକୁ ଅଇଲା
ବଂଚିବ ଯେଉଁ ପୁ- ରେ କାମ କୋପରୁ
କୁମାର ତହିଁକି ଗଲା ।୧୧।
ବଂଧୁ ବାନ୍ଧବଙ୍କୁ ଷଡ଼ ରସେ ନେଇ
ନବରେ ମଣୋହି ଦେଲେ
ବଂଗ କଳିଙ୍ଗ କା- ଶୀ ଦୂର ଦେଶରୁ
ନୃପତି ଯେ ଆସିଥିଲେ ।୧୨।
ବଂଟାଇ ତାଙ୍କୁ ବ- ହୁ ବିଧ ସାମଗ୍ରୀ
ବସାକୁ ଦେଲେ ଯତନେ
ବଂଚିଲା ତହି ଉ- ତ୍ତାରୁ ଯେତେ ଦ୍ରବ୍ୟ
ବର୍ଣ୍ଣି ନୋହିବ ବଚନେ ।୧୩।
ବଂଟନକୁ ପୁଣି ତାମ୍ବୁଳ ବୀଟିକା
ବଟା ଗୋଟା ଗୋଟା କଲେ
ବଂଧୁର ଆଦରେ ବନ୍ଧା ହୋଇ ବର-
ଜାତିଏ ସୁଖେ ରହିଲେ ।୧୪।
ବଂ-ବର୍ଣ୍ଣ ନିୟତ ହେବାରୁ ରଚିତ
ବହୁତ ବର୍ଣ୍ଣି ନୋହିଲା
ବଂଧନ ଲୋକର କର ପାଦ ପର-
କାର ମୋର ଗିର ହେଲା ।୧୫।
ବଂଦୁଛି ସଜ୍ମନ ଏ ଦୋଷ ନଘେନ
ତୁମ୍ଭେ ତ ବିନୟ ବଶ
ବଂଦି ହୋଇ ହର- ପର ଗୁଣ ପର
ବତ ପରା ପରକାଶ ।୧୬।
ବଂକାଅ ନିର୍ମଳ ଶୀଳ ଖଳକୁଳ
ମୂଳ ଯେଣୁ ତାଙ୍କ ଗୋଳ
ବଂଧ ଭାଜିଲାକ ବନ୍ଧ ପରି ଏଥି
ପରେ ପଡ଼ିବେ କେବଳ ।୧୭।
ବଂଦନା ତୁମ୍ଭଙ୍କୁ କରୁଛି ତାହାଙ୍କୁ
ଅବଶ୍ୟ ସେ ଅବସରେ
ବଂଧନ କରିବ ଉଚିତ ଜବାବ
ପଥରେ ରହିବେ ସ୍ଥିରେ ।୧୮।
ବଂଧା ନିକି ପଶୁ ଦୁଃଖ ଜାଣେ ପଶୁ
ସେ କି ଜାଣନ୍ତି ଏ ଭାବ
ବଂଶାନୁପରଂପ- ରା ଅଛି ତାଙ୍କର
ଗୁଣୀ ଗୁଣେ ପରାଭବ ।୧୯।
ବଂଗଳାଶ୍ରୀ ରାଗେ ହୋଇଲା ଏ ଛାନ୍ଦ
ବର୍ଣ୍ଣନା ବିଂଶତି ପଦ
ବଂଶୀ ବାଦ୍ୟ ବିଶା- ରଦ ପଦପଦ
କରୁ ବ୍ରଜନାଥ ହୃଦ ।୨୦।
ବେଳେ ଶୁଣ ଜନେ ସୁଜେନ ମଧୁ ଶଯ୍ୟା ଚରିତ
ବେଶ କଲେ ନବବାଳୀକି ମିଳି ଆଳୀ ସମସ୍ତ ।୧।
ବେଗ କରି ଚିରି କୁନ୍ତଳ କୁଳ ପାରିଲେ ଜୁଡ଼ା
ବେଢାଇ ଖଞ୍ଜିଲେ ତହିଁରେ ନାନାଫୁଲ ପାଖୁଡ଼ା ।୨।
ବେକରେ ଦେଇ ରତ୍ନମାଳୀ କର୍ଣ୍ଣେ କର୍ଣ୍ଣ ଭୁଷଣ
ବେଶର ଗୁଣାକୁ ନୋଥକୁ ନାକେ ଦେଲେ ତକ୍ଷଣ ।୩।
ବେଷ୍ଟିତ କଲେ କରେ ଚୁଡ଼ି ବାହେ ତାଡ଼କୁ ଦେଇ
ବେଶୀ-ସଖୀ୧ ଦେଲେ ପାହୁଡ଼ବଳା ପଦେ ଲଗାଇ ।୪।
ବେଳ ଜାଣିକରି ମକରୀପତ୍ରାବଳୀ ରଖିଲେ
ବେପାର ସେ ଏକା ତାଙ୍କର କେ ପାରଇ ଶିଖିଲେ ।୫।
ବେନି ନୟନରେ ଅଞ୍ଜନ ରଞ୍ଜି ଲାଞ୍ଜି ବିହିଲେ
ବେପଥୁ ହୋଇବ ଲଲାଟ- ପଟ ଚିତା ଦେଖିଲେ ।୬।
ବେଶ ରଚି ସାରି ମୁକୁର ବାଳା ଆଗେ ଦେଖାଇ
ବେଲିରେ୨ କହନ୍ତି ଶ୍ରୀମୁଖ ଦେଖ ବାରେ ଅନାଇ ।୭।
ବେଶ ଅରୁଚି କି ରୁଚିର ବର ରଚନା ଗିର
ବେଳେ ଶୁଣାଇବୁ ମାଗୁଣି ଧନ ଏହି ଆମ୍ଭର ।୮।
ବେଶାନ୍ତରେ ଦିବ୍ୟ ବିଡ଼ିଆ ବାମା ଯୋଗାଣ କଲା
ବେନି କରେ ଧରି ସୁବାସ ଭାଙ୍ଗି ବାସ କେ ଦେଲା ।୯।
ବେଶୀସଖୀ ବୋଲେ ବଂଧୁରେ ଦୃଢ଼େ ପିନ୍ଧିଥିବୁଟି
ବେଗରେ ବର ନ ଫିଟାଇ ଯଥା ରହିବେ ଫୁଟି ।୧୦।
୧। ବେଶୀ-ସଖୀ = ରଜା ଘରେ ଯେଉଁ ସଖୀ ଜେମାକୁ ବେଶ କରିଦିଏ ।
୨। ବେଲିରେ = ରହସ୍ୟରେ ।
ବେଣୁଧର ନାମ ସୁମରି ମାର କେଳୀପୁରକୁ
ବେଳ ବାରିକରି ବାହାର କଲେ ରାମାବରକୁ ।୧୧।
ବେଭାରରୁ ବାଳୀ ନ ଚଳେ ତିଳେ ଚଞ୍ଚଳ ହୋଇ
ବେଢାଇଛି ଚେଳ ଅଞ୍ଚଳେ ମୁଖ ଚନ୍ଦ୍ରମାମୁହୀଁ ।୧୨।
ବେଶୀ ହସି ବୋଲେ ବନ୍ଧୁରେ ଯା ଯା କାନ୍ତ କୋଳକୁ
ବେଳ ଉଦୟକୁ ଆସିବୁ ସିନା ଆମ୍ଭ ମେଳକୁ ।୧୩।
ବେଶୀ ବୋଲେ ରାତି ପାହିବା ଯାଏ କି କରୁଥିବ
ବେଳକ ସୁରତେ କୋମଳା- ବାଳାକୁ ତ ବାଧିବ ।୧୪।
ବେଗ କେଳୀପୁର ଦ୍ୱାରକୁ ସଖୀ ବାଳୀକି ନେଲେ
ବେଶୀ ବେଢୀ ଅଳ୍ପ ପେଲି ଦେ- ହଳୀ ବଳାଇ ଦେଲେ ।୧୫।
ବେନିଚକ୍ଷୁ ଅନ୍ଧ ପାଇଲା ପରି କୁମାର ବର
ବେଗେ କୋଳ କରି ନେଇଣ ବସାଇଲେ କୋଳର ।୧୬।
ବେଢାଇ ମଣ୍ଡିଲା ଗଣ୍ଡରେ ଚାରି ସରୁ ଚୂମ୍ବନ
ବେଳ ଜାଣି ଶର ଉପରେ ଶର ବିନ୍ଧେ ମଦନ ।୧୭।
ବେପଥୁକୁ ପାଇ ଭୟରେ ଛନ୍ନ କୁନ୍ଦନଅଙ୍ଗୀ
ବେଢା ଜାଲରେ କି ଆସି ପ- ଡ଼ିଲା ବଣ କୁରଙ୍ଗୀ ।୧୮।
ବେଗ ବେଗ ହୋଇ ବାହାରେ ଖରତର ନିଶ୍ୱାସ
ବେନି କର ଛନ୍ଦି ନ ଦିଏ ସ୍ତନୁ ଖସାଇ ବାସ ।୧୯।
ବେକ ଏଣେ ତେଣେ କରଇ ଦେଲା ବେଳେ ଚୂମ୍ବନ
ବେଶ୍ମଯାକ ପୂରି ଉଠୁଛି ବାଳା ବଳୟ ସ୍ୱନ ।୨୦।
ବେଦପତି ମୋତେ ବହୁତ ତପେ ଦେଇଛି ତୋତେ
ବେଳାହୋମ କାମସିନ୍ଧୁକୁ କାନ୍ତ କହେ ବିନୀତେ ।୨୧।
ବେଦୀରୁ ଚାକର ହୋଇଛି ଧରି ତୋର ପୟର
ବେତନ ତୁ ରତିରତନ ଦେବୁ କି ନା ମୋହର ।୨୨।
ବେଳୁଁ ବେଳ କରି ରଚିତ ଚିତ୍ତହର ଭାରତୀ
ବେଗେ ଚାଳିଦେଲା ଚନ୍ଦ୍ରକୁ ତୀକ୍ଷ ନଖରେ କ୍ଷତି ।୨୩।
ବେନି କର୍ଣ୍ଣେ ଚାଳି ରସନା ବାସ କଲା ଅନ୍ତର
ବେଗେ ଭାଙ୍ଗିଦେଲା ଛଇଳା ଲାଜ ଭୟ ପ୍ରକର ।୨୪।
ବେନି ଜନଙ୍କର ମାନସ ରତେ ହେଲା ହରଷ
ବେଦାଭିଧାନରେ ନଥିବ ତେତେ ଶୃଙ୍ଗାର ରସ ।୨୫।
ବେଗାର ପରାଏ ଅପାର ସରୁ ଚୁମ୍ବନ ଦେଲେ
ବେନି ଏକ ଅର୍ଦ୍ଧ ପ୍ରହର ରାତି ଏପରି ନେଲେ ।୨୬।
ବେଭାର ଲାଜକୁ ପାଇଣ ବାଳୀ ଆକୁଳ ମନ
ବେଗହୋଇ ଯିବା ପାଇଁକି ଉଠେ ରାମାରତନ ।୨୭।
ବେନିକରେ ଭିଡ଼ି ନାୟକ ଚୁମ୍ବି ମେଲାଣି ଦେଲା
ବେଳ ଉଦେ ହେବା ଚାହିଁଣ ରାମା ବାହାରିଗଲା ।୨୮।
ବେଦନ୍ତୀ ବ୍ରାହ୍ମଣେ ପ୍ରଭାତ ଦେଖି ସ୍ନାନକୁ ଗଲେ
ବେଷ୍ଟିତ ରବି ରଙ୍ଗ କରେ ପୂର୍ବ ଦିଗକୁ କଲେ ।୨୯।
ବେଶ୍ୟାମାନଙ୍କର ପୁରରୁ ଗଲେ ଜାର ପୁରୁଷ
ବେହରଣ କଲେ ବାହାରେ ନବରରୁ ନରେଶ ।୩୦।
ବେଢୀ ବିଚକ୍ଷଣା ବାଳୀକି ନେଲେ ସକଳ ଆଳୀ
ବେଶ ତ ବିଭଙ୍ଗ ଦିଶୁଛି କେହୁ କରେ ଢ଼ମାଳୀ ।୩୧।
ବେକ ତ ଟେକି ପାରୁ ନାହୁଁ ଏ କି କରିରେ ଧନ
ବେଢାଇ ଦେଇତ ଆସିଛୁ ଏହିକ୍ଷଣି ବସନ ।୩୨।
ବେଢୀ ସଖୀ ଆଦି ମାଜଣା ବିଧି ବଢ଼ାଇ ଦେଲେ
ବେଗେ ମାଜଣା ବଢୁ ସଖା କୁମାରଙ୍କୁ ବୋଇଲେ ।୩୩।
ବେଣୁଧର ଘନ ସୁନ୍ଦର ଅରବିନ୍ଦ ଚରଣ
ବେଗର ଆନ ଆଉ ନାହିଁ ବ୍ରଜନାଥ ଶରଣ ।୩୪।
(ବୁ-ଆଦ୍ୟ ନିୟମ)
ବୁଦ୍ଧଜନ ମାନେ ଶୁଣବ୍ରଜସଦନ ବ୍ରାହ୍ମଣ
ନୃପାଦେଶେ କହେ ବୀରବର ଆଗେଣ
ବୁଝା ହୋଇଅଛି ବେଳବାହାର ହୋଇବେ ବଳ
ନଗରରୁ ଆସ ତୁଲ ଗତି ଗହଣ
ବୃଷକାଳେ ମଠ ନକର
ବୁଝିବାକୁ ଏହା ନୃପ ଗଲେ ଭିତର ।୧।
ବୁଡ଼ିଲାଯେ ଶୋକ ପାଣିଭିତରେ ସେ ରାଣୀ ଶୁଣି
ନୃପମଣିଠାରୁ ଜେମାମଣି ଯିବାର
ବୁଦ୍ଧି ନ ଦିଶଇ ଆନ ବିଚକ୍ଷଣାକୁ ଧରିଣ
କାନ୍ଦୁଛନ୍ତି ଯେତେଜନ ଅନ୍ତଃପୁରର
ବୃଦ୍ଧମାନେ ପ୍ରବେଶ ହେଲେ
ବୃଷକାଳେ ବିଚକ୍ଷଣା ପ୍ରୟାଣ କଲେ ।୨।
ବୁଡ଼ିଲା ଚେତା ସବୁରିକାନ୍ଦୁଛନ୍ତି ନରନାରୀ
ଯେତେବେଳେ ହାନ୍ଦୋଳାରେ ବାଳୀ ବସିଲା
ବୁକୁରେ କୋଡ଼ନ୍ତି କରନୃପତି ହୋଇ ଅସ୍ଥିର
କାନ୍ଦିବାରେ ଅନ୍ତଃପୁର ଉଛୁଳିଗଲା
ବୁଜି ହୋଏ ଦେଖି ନୟନ
ବୁହାଇ ଯେତେ ସାମଗ୍ରୀ ଦେଲେ ରାଜନ ।୩।
ବୃତ୍ରାରି ପୁରେ ନ ଥିବଯଉତୁକେ ଯଉଁ ଦ୍ରବ୍ୟ
ଦେଲେ ଦେଇ ହେଲେନାହିଁ ତେବେ ତୃପତ
ବୃହଦନ୍ୱରେ କହିଲେକି ଦେଇ ପାରିବୁ ଭଲେ
ସୁତା ଦେଇ ହେଲୁ ଆମ୍ଭେ ଶରଣାଗତ
ବୁଦ୍ଧଜନମାନଙ୍କ ଆଗେ
ବୃଥାକଥା କହିବାର ବହୁତ ବାଗେ ।୪।
ବୁଜି କର୍ଣ୍ଣେ ବେନି କରବ୍ରଜନଗର ଈଶ୍ୱର
ସଂଭ୍ରମେ ବୋଇଲେ ଏହା କିମ୍ପା କହିଲ
ବୁଝିଲେ ଆମ୍ଭଙ୍କୁ କ୍ରୀତକଲ ଦେଇ ସୁତା ବିତ୍ତ
ବ୍ରଜମୋହନକୁ ସୁତ କରି ପାଇଲ
ବୃନ୍ଦାବନ ଚନ୍ଦ୍ରଙ୍କୁ ଚିନ୍ତି
ବୃଷଲଗ୍ନେ ବାହାର ହୋଇଲେ ନୃପତି ।୫।
ବୁଣି ହୋଇଗଲେ ସୈନ୍ୟବାଜୀ ରାଜି ଅକଥନ
କରୀ କରିବା ଲେଖନ କି କରି ତହିଁ
ବୃଦ୍ଧମାନେ କୁହା କୁହିହେଲେ ଏ ସମ୍ପତ୍ତି କାହିଁ
ଦେଖି ନଥିଲାଇଁ କେହି ଦେଖିବ ନାହିଁ
ବୃଷା ଶଚି ହେଲେ କି ବିଭା
ବୃନ୍ଦାରକ ବୃନ୍ଦବର ଜାତି ଏ ଅବା ।୬।
ବୁଲାଇ ବର ବରଛିକେ ସିପାହୀ ଧରିଅଛି
କେ ଶୁଆର ଅଛି କିଛି ପିଠିକି ନେଇ
ବୁକୁ ପାଖେ ବାଗ କରଖାଞ୍ଚି ଧରି କେ ଶୁଆର
ତାଜି ବାଜୀ ଯୋଡ଼ାଇ ଜୋଡ଼ାଇ ନିଅଇ
ବୁଡ଼ି ମଦଜଳରେ କରୀ
ବୁଲି ଯାଆନ୍ତି ସୁଖରେ ପଲାଶି କରି ।୭।
ବୁଡ଼ିଲେ କ୍ରମଶେ ହଂସସନ୍ଧ୍ୟା ହେଲା ପରବେଶ
ରଙ୍ଗରେ ବାରୁଣୀ ଦିଶ ଦିଶିଲା ତୋରା
ବୁଜି ଆସନ୍ତି କମଳକୁଳ ଦିଶନ୍ତି ମଞ୍ଜୁଳ
ରତାନ୍ତ ବେଶ ନବୀନା ନୟନ ପରା
ବୁକୁ ଥରେ ଚକ୍ରବାକର
ବୃଷ୍ଟିକରେ ବିରହିଣୀ ନୟନ ନୀର ।୮।
ବୁକୁରେ ମାଣିକ୍ୟ ମାଳାନ ଦେଖି କେବଣ ବାଳା
କାହିଁ ହଜାଇଲି ବୋଲି ମନେ ଗୁଣଇ
ବୁଜେ ଅତି ଛନ୍ନେ ଆଖିହଂସ ତା ପଦ ନଦେଖି
ପୁଣି ଗତି କରି ଅତି ଚିତ୍ର ମଣଇ
ବୃଷାଳ ବାହୁଙ୍କ ଛାମୁରେ
ବୃହବିଧି ବନ୍ଦାପନା ହେଲା ସତ୍ଵରେ ।୯।
ବୁଧ ତାତ କ୍ରମଶରେଉଦେ ହେଲେ ଆକାଶରେ
ଦୁଧେ ଧୋଇଲା ଆସରେ ଦିଶିଲା ଧରା
ବୁଜି ଆନନ୍ଦେ ନୟନଚକୋରେ ଚନ୍ଦ୍ରିକା ପାନ
କଲେ ହେଲେ ଚୌରେ ଦିନ ପେଚକ ପରା
ବୃଷଧ୍ଵଜ ଅଙ୍କରେ ଥିଲେ
ବୁଝି ନପାରି ଗଉରୀ ବିରହ ହେଲେ ।୧୦।
ବୃହ ବିଧାନ କରାଇପଶିଲେ କଟକେ ଯାଇ
ବଡ଼ ତୋଷ ହେଲେ ଚାହିଁ ସକଳ ଜନ
ବୃହସ୍ପତି ବେଳା ବାରିନଗରକୁ ଗଲେ ବାରି-
ରୁହ ନୟନାକୁ ଧରି ବ୍ରଜମୋହନ
ବୃଷାଳ ସୁଶ୍ରୋଣୀ ଅଙ୍ଗନା-
ବୃନ୍ଦ ବନ୍ଦାପନା କଲେ ହୋଇ ସୁମନା ।୧୧।
ବୃତ୍ତ ଶଶିମୁଖୀ ମୁଖଦେଖି ଶ୍ୱଶ୍ରୁ ଆଦି ସୁଖ-
ସାଗରେ ବୁଡ଼ିଲେ ଦୁଃଖ ଦୂରେ ପକାଇ
ବୃଦ୍ଧଶ୍ରବା କାମ ବାମାସମାନ ନୋହେ ଉପମା
ରମା ତିଳୋତ୍ତମା ସମାନ କେ କହଇ
ବୃନ୍ଦାରକ ବୃନ୍ଦିଷ୍ଟ ଏହି
ବୃନ୍ଦା ବୃନ୍ଦାବନବିଧୁ ବତାଏ ଦୁଇ ।୧୨।
ବୃଦ୍ଧି ହୋଇଲା ହରସସିତପକ୍ଷ ଋକ୍ଷଈଶ
ପରାଏ ସର୍ବ ମାନସ କୁମୁଦବନ
ବୁହା ହେଲା ଧନ ରତ୍ନଚରଚିଲେ ଅତି ଯତ୍ନ
ନିଦ୍ରା ଆଛନ୍ନେ ବିଷନ୍ନ ସକଳ ଜନ
ବୃତ୍ତି ଏକା ବ୍ରଜନାଥର
ବୃଜିନ ନାଶନ ନାମ ସଦା କାଳର ।୧୩।
(ବୈ-ଆଦ୍ୟ ନିୟମ)
ବୈଗୁଣ୍ୟ ନବହିଶୁଣ ଜନେ ତହିଁଉତ୍ତାରୁ ଯେ ହେଲା
ବୈଧି ରୀତିରେ ଯେଚତୁର୍ଥୀ ସପତ-ମଙ୍ଗଳା ବଢ଼ିଲା ।୧।
ବୈଚିତ୍ର ରସରେରଜନୀ ବାସରେରସି ସେ ଦମ୍ପତି
ବୈଶ୍ରବଣ ପଦବାସବ ସମ୍ପଦମଣନ୍ତି ବିପତ୍ତି ।୨।
ବୈରାଗୀ ଦେହ ହିଁବିକାର ବହଇସେ ଫୁଲ ସମୟ
ବୈଦେଶିଲା କରବିଦାରିଲା ମାରଶରରେ ହୃଦୟ ।୩।
ବୈକଲ୍ୟ କୋକିଳକଲେ ଯୋଗୀକୁଳକଳବାଣୀ କହି
ବୈଶ୍ୱାନର ବତମନ୍ଦ ଶୀତ ବାତମଣିଲେ ବିରହୀ ।୪।
ବୈରୋଚନ ବତଦୁହେଁ ଦାତା ସେ ତଚୁମ୍ବନ ଆଶ୍ଲେଷେ
ବୈଶ୍ୟ ବାଣିଜ୍ୟ ବି-ତ୍ତ ପରି ପୀରତିବଢାନ୍ତି ସର୍ବାଂଶେ ।୫।
ବୈପରୀତ୍ୟ ରସ-ରେ ଯେ ବିଶାରଦବିଶେଷରେ ସେତ
ବୈଲକ୍ଷ୍ୟ ଅନ୍ତରେବସନ୍ତେ ବିହରିହୋନ୍ତି ଉଲ୍ଲସିତ ।୬।
ବୈଦେହୀ ଶ୍ରୀରାମରାମ ଅଭିରାମସେ ସବୁ ଉପରେ
ବୈକୁଣ୍ଠ ପଦ ହିଁତାଙ୍କୁ ନରୁଚଇରସ ଲୋଲୁପରେ ।୭।
ବୈଷମ୍ୟ ନକରେକେହି କାହାଠାରେନିମିଷେ ମାତର
ବୈରୀ ମଦନ ନପାଏ ଅବସରସନ୍ଧିବାକୁ ଶର ।୮।
ବୈଦଗ୍ଧହିଁ ସେହିଜାଣନ୍ତି ବିବିଧଜାତିରେ ପ୍ରୀତିରେ
ବୈଦ୍ୟ ହୋଇଥାନ୍ତିଦୁହେଁ ରତିପତିବେଦନା ଭିତରେ ।୯।
ବୈଲକ୍ଷଣ୍ୟ ରତିଶାସ୍ତ୍ରେ ସେ ନୃପତିସୁତ ରତ ଥିଲା
ବୈଚକ୍ଷଣୀୟ ଭା-ବ ଅନୁଭବରୁଅଧିକ ସେ ହେଲା ।୧୦।
ବୈଣିକ ବୀଣା ବା-ଣୀ ସଙ୍ଗେ ରସି ସେରସିକ ଉତ୍ତମ
ବୈଶାଖହିଁ ଶେଷକଲେ ପରବେଶହୋଇଲା ଗ୍ରୀଷମ ।୧୧।
ବୈରୋଚନ କରପରଶେ ଶରୀରସନ୍ତାପିତ ହେଲା
ବୈକ୍ଷିପ୍ତ ଚିତ୍ତ ତୃ-ଷା ବଶରେ କେଉଁପଥୁକି ବହିଲା ।୧୨।
ବୈରାଗୀ ହୋଇଲେଶୃଙ୍ଗାର ଭୋଗରେଲୋଡ଼ିଲେ ପବନ
ବୈକଲ୍ୟରେ ଚନ୍ଦ୍ରଚନ୍ଦନ ଅଙ୍ଗରେକରନ୍ତି ଲେପନ ।୧୩।
ବୈଶ୍ୱାନର ବନପରବତ ମାନଦହେ ଅନିଶରେ
ବୈଧବ୍ୟ କିରଣଲୋଡ଼ିଲା କରଣସନ୍ତାପ ବସରେ ।୧୪
ବୈରତାକୁ ତେଜିବ୍ୟାଘ୍ର ମୃଗ ରାଜିମିଶାମିଶି ହେଲେ
ବୈନତେୟ ଭକ୍ଷ୍ୟ-ମାନେ ଶିଖୀପୁଛଛାଇରେ ରହିଲେ ।୧୫।
ବୈଦୁର୍ଯ୍ୟ ଆଦିରତନ ପୁରେ ଥିଲେସେ ବ୍ରଜମୋହନ
ବୈଠକ କରି ସୁଧା ପୁରେ ବଞ୍ଚିଲେବାଳା ସଙ୍ଗେ ଦିନ ।୧୬।
ବୈଷୟିକ କବି-ମାନେ ଚିତ୍ତେ ଭାବିଘେନ ଏ କଷଣ
ବୈଶେଷ୍ୟ ଛାନ୍ଦରନୋହିବାର ବରନିୟମ କାରଣ ।୧୭।
ବୈତଣ୍ଡା କରିବାନକର ବିନତିଘେନ ହେ ସଜ୍ଜନେ
ବୈନାଶିକ ନରମାନଙ୍କୁ ମୋହରଡରନାହିଁ ମନେ ।୧୮।
ବୈରୋଚନ ବତସହଜେ ତୁମ୍ଭରସୁନିର୍ମଳ ଭାବ
ବୈର ଅବରୁଦ୍ଧବିବାଦ କଳ୍ମଷକୁଳ ନାଶ ଯିବ ।୧୯।
ବୈନତେୟ ଧ୍ଵଜଚରଣ ସରୋଜକରିଣ ଶରଣ
ବୈଭବ ହୀନ ବ-ରଜ ନାଥ ଦୀନକରଇ ରଚନ ।୨୦।
(ବୋ-ଆଦ୍ୟ ନିୟମ)
ବୋଧ କରି ମନଶୁଣ ଯେ ସଜ୍ଜନ
ମାନେ ଏଥୁଅନ୍ତେ ରସ
ବୋଲୁଁ ବୋଲୁଁ ଗଲାଗ୍ରୀଷ୍ମ ଋତୁ ହେଲା
ବରଷା ଋତୁ ପ୍ରବେଶ ।୧।
ବୋବାଳି ବନଦ-ବୃନ୍ଦ ବିଷ୍ଣୁପଦ୧
ବ୍ୟାପି ବିହିଲେ ବିଷମ
ବୋହିଲା ସରିତବଢି ଅବିରତ
ଝଞ୍ଜା ଝଡ଼ି ଘୋରତମ ।୨।
ବ୍ୟୋମେ ବକ ଧାଡ଼ି-ଧାଡ଼ି ହୋଇ ଉଡ଼ି
ରଡ଼ି ଛାଡ଼ି ବିହରିଲେ
ବୋଡ଼ା କୂଳେ ବିଳବାହାରେ ବାହର
ନୋହି ଭିତରେ ରହିଲେ ।୩।
ବୋହିଛି ଯେ ବାରିତା କୋଳେ ବିଜୁଳି
ଝଟକେ ଝଟକ ଅତି
ବୋଲଇ ଚାହିଁ କେଏକାଳେ ଏକା କେ
ବଞ୍ଚିବ କେହ୍ନେ କେ ରାତି ।୪।
ବୋବାଇଲେ ଭେକସାମୁକ ଡ଼ାହୁକ
ମତ୍ତେ ନିଶି ଦିବସରେ
ବୋଲଣା ମାରକିଦୋଷୀ ବିରହୀକି
କରେ ସେ ଡ଼ାକ ମିଶରେ ।୫।
ବୋଲେ କେକୀ କେକାଛଳେ ନୁହ ଏକା
ଏକାଳେ କାନ୍ତା ଯୁବତୀ
ବୋଧ ହେଲା ସ୍ତୋକଦେଖି ଜଳ ମୁକ
ନବୀନ ଚାରୁ ସମ୍ପତ୍ତି ।୬।
୧। ବିଷ୍ଣୁ ପଦ= ଆକାଶ ।
ବୋହେ ନୟନୁ କା ନୀର ନିରନ୍ତର
କାନ୍ତା ପରିବେଶ ଚିନ୍ତି
ବୋକା ହୋଇ କେହୁବସିଲା ଦକାରେ
ସ୍ୱେଦେ ବାସ ଗଲା ତିନ୍ତି ।୭।
ବୋଲଇ ବାଳା କେଦେଖି ପଥିକକୁ
ପଥରେ ମୃଦୁ ବଚନ
ବୋଧ କର ମନପ୍ରିୟା ସୁଶୋଭନ
ନୋହେ କି ତୁମ୍ଭ ସମାନ ।୮।
ବୋଧ କରି ଚିତ୍ତପାନ୍ଥ ବୋଲେ ମିତ
ବାସକୁ ମୁଁ ତ ଯାଉଛି
ବୋଲିବାକୁ ବେଳହେଲା ଅସ୍ତକାଳ
ବାରି ବରଷି ଆସୁଛି ।୯।
ବୋଲଇ ରସିକାମୁଁ ତ ଅଛି ଏକା
ଆସ ରହ ମୋ ବାସରେ
ବୋବାଇଲେ କାକପ୍ରଭାତୁଁ ପଥିକ
ଚଳିବ ବେଗ ବାସରେ ।୧୦।
ବୋଲାବୋଲି ହୋଇହରଷରେ ଯାଇ
ରସିଲେ ଉଭୟ ଜନ
ବୋଧ କଲେ ମନନିଶି ଉଜାଗରେ
ନାହିଁ ଅଶନ ଶୟନ ।୧୧।
ବୋବାନ୍ତେ କୁକୁଟଲାଗିଲା ଉଚ୍ଚାଟ
ଝଟତି ବାସ ପିନ୍ଧିଲେ
ବୋଝ ପରି ନିଦ୍ରାନେତ୍ରେ ହେଲା ଗଦା
ଚୂମ୍ବନାଲିଙ୍ଗନେ ଗଲେ ।୧୨।
୨ । ଦୁର୍ଦ୍ଦିନ=ମେଘାଛନ୍ନ ଦିବସ
ବୋଲେ କେଉଁ ବାମାବଲ୍ଲଭରେ ପ୍ରେମା-
ତୁରେ ସୁସ୍ନେହ ବଚନ
ବୋଲୁଛିଟି ଧନ ନୋହିବ ଦୁର୍ଦ୍ଦିନ୨
ଯାକ କେଭେ ଦଣ୍ଡେ ଭିନ୍ନ
ବୋଳି ହେଲା ପରିକଜ୍ଜ୍ୱଳରେ ଗିରି
ପ୍ରଖର ଶୋଭା ଦିଶିଲେ
ବୋଳା ହୋଇକରିଏକାଳର ଶେଷେ
ଦମ୍ପତି ସୁଖେ ରସିଲେ ।୧୪।
ବୋଲା ବୋଲି କେତେହୁଅନ୍ତି ନିରତେ
ଇଙ୍ଗିତ ବାଦ ବଚନ
ବୋଲି ନଥାଉଁ ସେଦିଅନ୍ତି ଆବେଶେ
ପରସ୍ପରେ ଚୁମ୍ବମାନ ।୧୫।
ବୋବାଇଲେ ଯାଇଁକୁକ୍କୁଟ ରହଇ
ସୁରତି ରୀତି କୁତୁକ
ବୋହିତ ସଂକ୍ରାନ୍ତପରାଏ ସେ କାନ୍ତ
କାନ୍ତା ଅନ୍ୟାନ୍ୟ ଗତିକ ।୧୬।
ବୋଳି ସେ ଚନ୍ଦନହେଲେ ଉର ସ୍ତନ
ଦେଶେ ନରହେ ଆଶ୍ଳେଷେ
ବୋଳ ତାମ୍ବୁଳରନରହେ ସୁନ୍ଦର
ଅଧର ଚୁମ୍ବ ବିଶେଷେ ।୧୭।
ବୋଧ ନୁହନ୍ତି ଷା-ଠିଏ ଦଣ୍ଡରସା-
ର୍ଣ୍ଣବରେ ରସି ବୁଡ଼ିଲେ
ବୋଲନ୍ତି ବିଧିକିବାଧି ବିଲୋକନେ
ପଲକ ଯୋଗେ ପଡ଼ିଲେ ।୧୮।
ବୋରା ମଣନ୍ତି ସେନିବିଡ଼ ଆଶ୍ଳେଷେ
ତନୁ ପୁଲକ ହେବାର
ବୋଝ ପରକାରଯାବତ ବେଭାର
ମଣନ୍ତି ସେ ମହା ଭାର ।୧୯।
ବୋଲିବାକୁ କ୍ଷମନୋହିଲା ଏ ପ୍ରେମ
ବହୁଳତର ରୀତିରେ
ବୋଧାଏ ଜାଣିମତୁମ୍ଭେ ତ ନିୟମ
ଶ୍ରମ ଯେ ଅଛି ଏଥିରେ ।୨୦।
ବୋଡ଼ିକ ବରାଟ-କରେ ଯେ ଉତ୍କଟ
ରତନ କିଣି ଆଣିବ
ବୋ-ବର୍ଣ୍ଣ ନିୟମରଖି ସେ ଉତ୍ତମ
କରିବା ବର୍ଣ୍ଣି ଜାଣିବ ।୨୧।
ବୋହିତର ସ୍ଥିତ-ରେ ହେଁ କଦାଚିତ
ଯେଉଁ ପଦାର୍ଥ ନ ଚଳେ
ବୋଝ କେ ଯେ ନେବଏଥି ସେ ବର୍ଣ୍ଣିବ
ଏ ରସ ବଡ଼ ବହୁଳେ ।୨୨।
ବୋଧ କର ଚିତ୍ତତୁମ୍ଭ ନାମାମୃତ
ପାନରେ ରହୁ ମୋ ମନ
ବୋଲେ ବ୍ରଜନାଥଆହେ ବ୍ରଜନାଥ
ଥାଉଁ ଥାଉଁ ଏ ଜୀବନ ।୨୩।
(ବ-ଆଦ୍ୟ ନିୟମ)
ବଡ଼ ସୁମନେ ଶୁଣ ହେ ଜନେସେହି ବରଷା ସମୟେ ଦିନେ
ବସିଅଛନ୍ତି ସେ ବେନି ଜନେକେଳି ସଦନେ ହେ
ବନଦ ଅତି ପ୍ରକଟେ ରଟିପୂର୍ବ ଦିଗରୁ ଅଇଲା ଘୋଟି
ବେଗେ ବିଜୁଳି-ବଲ୍ଲୀ ଚହଟିଖେଳେ ଗଗନେ ଯେ
ବରଷାରୁ ଆଶା ହିଁ ବାରି ନୋହିଲା ଯେ
ବନ ସବୁଆଡ଼ରେ ପୁରି ରହିଲା ଯେ
ବଂଶୀ ବଦନ ହୃଦୟେ ହାରପରି ନୀରଦେ ବକ ନିକର
ଦିଶିଲେ ବଡ଼ ରୁଚିର ନରମନ ମୋହିଲା ଯେ ।୧।
ବହିଲା ପ୍ରଭଞ୍ଜନ ପ୍ରଖରେକହିଲା କେକୀ ଟେକି ଶିଖରେ
ସଇଲା କାମ ପଞ୍ଚଶିଖରେବିରହୀ ପଦ ଯେ
ବଲ୍ଲଭୀପାଶୁଁ ବଲ୍ଲଭ ଭିନ୍ନନୁହ୍ ନିମିଷେ ବଚନ ମାନ
ଗଣ୍ଡୁ ବଦନ ସ୍ତନରୁ ଭିନ୍ନ ନକରି ହୃଦ ଯେ
ବଳିଗଲେ ଦେହଳି ହେବଟି ଦଣ୍ଡ ହେ ।
ବରଷିବ ମଦନ ପ୍ରଚଣ୍ଡ କାଣ୍ଡ ହେ ।
ବନିତାମାନେ ମାନ ନକରବାନ୍ଧବ କୋଳୁ ନୋହି ଅନ୍ତର
ସ୍ନେହ ମଧୁର ସ୍ମିତରେ ଗିରଅଧର ମଣ୍ଡ ହେ । ।୨।
ବଢିଲା ଦର ଚକୋରଙ୍କରଚାହିଁ ମୁଦିର ଚାରି ପ୍ରକାର
ଚାତକବାର ପିଇଲେ ନୀରହୋଇ ନିର୍ଭର ଯେ ।
ବସୁଧାଧର ଶୃଙ୍ଗପ୍ରକରହେଲା ପ୍ରଚୁର ପବି ଭିଦୁର
ଥରକୁଥର କୁଆପଥରବରଷେ ଘୋର ଯେ
ବଜଧର କାର୍ମୁକ ଦିଶେ ରୁଚିର ଯେ
ବଢିଗଲେ ସରିତ ଅତି ଅଚିର ଯେ ।
ବସି କେ ଦୂର ଦେଶରେ ଦର-ହାସୀ ମୁଦର କଣ୍ଠି ସୁନ୍ଦର
କଟି ମନ୍ଦର ସ୍ତନ ପ୍ରକାରକରେ ହୃଦର ଯେ ।୩।
ବଣିଜାରକୁ ବାଟରେ ଚାହିଁସହୀକି କେହି କହେ ଦେଖାଇ
ବଲ୍ଲଭ ମୋର ରହିଲେ କାହିଁଜାଣିଲି ନାହିଁ ଗୋ
ବରଷା ଘୋର ବିଷମତରଏଥିରେ କଲା ଅତନୁ ଜ୍ଵର
ବୈଦ୍ୟ ନାଗର ଆଦିରସ ଯେଦେଲା ବତାଇ ଗୋ
ବସିଛନ୍ତି ଉରଜ ନଗରେ ସହୀ ଗୋ
ବନ୍ଧୁନାଗର ଏଥି ମିଳିଲେ ନାହିଁ ଗୋ ।
ବକ୍ର ବଚନେ ବିଦେଶୀ କହିକାହିଁପାଇଁକି ପାଇବ ନାହିଁ
ଆଜି ମିଳଇ ସିନା ତୁମ୍ଭରମନ୍ଦିର କାହିଁ ଗୋ ।୪।
ବକ୍ରେ ବଞ୍ଚାଇ ଭୁରୁ ନଚାଇକଉଁ ନବୀନା ପାନ୍ଥକୁ କହି
ବେଳ ତ ନାହିଁ ଘନ ଘୋଟଇଯାଉଛ କାହିଁ ହେ
ବଇଦେଶିକ ବୋଇଲା ଚାହିଁବଡ଼ ବେଗରେ ଯାଉଥିଲଇଁ
ତଥାପି ବର୍ଷା ହେବ କି ସହୀଯାଆନ୍ତି ରହି ଗୋ
ବଡ଼ ପ୍ରଭାତୁଁ ପଛେ ହୋନ୍ତି ବାହାର ଗୋ
ବର୍ଷୁଥିବ କି ଏକା ଏ ପୟୋଧର ଗୋ ।
ବନଦତ୍ରାସେ ବସା କରି ସେରହନ୍ତି ତୋଷେ ବର ପ୍ରବାସେ
ଛନ୍ତି ମୁଁ ମାସେ ହେଲା ଆସିଛି ଏହା ବିଚାର ହେ ।୫।
ବଇଦ୍ୟ ବେଶେ ବାଳିକା ପାଶେକେ ପାନ୍ଥ ମିଳି କାମ ଆବେଶେ
ବୋଲେ ମୁଁ ବଦ୍ୟ ସୁଦୁର ଦେଶେମୋର ନିବାସ ଗୋ
ବରାଙ୍ଗୀ ବୋଲେ ବାତ ବିକାରେଥରୁଛି ମୋର ତନୁ ବେଦରେ
ମୁଁ ପୁଣି ଗୁରୁସ୍ତନୀ ତ ଭୀରୁଅଛି କି ରସ ହେ
ବଦ୍ୟ ଶୁଣି ଏ ବାଣୀ ବଚନ ଭାଷେ ଯେ
ବଢୁଅଛି ଏ ବ୍ୟାଧି ବରଷାବଶେ ଯେ ।
ବତାଅ ଆସ ତୁମ୍ଭର ବାସଆଜି ବାତରେ ଦେବା ଗୋ ରସ
ଶୃଙ୍ଗାର ରସ ଦେଖି କରିବାପୁଣି ବିଶେଷ ଯେ ।୬।
ବହୁଳତର ଘୋର ଅନ୍ଧାରଘୋଟି ଅଦୂର ନୋହେ ଗୋଚର
କେବଳ ଜାର ସଙ୍କେତ ଠାରତରୁ ତଳର ଯେ
ବସି କେ ବର-ବରଣା ସ୍ମର-ଶରେ କାତର ହୋଇ ପ୍ରଖର
ଶ୍ୱାସନିକର ତେଜଇ ନୀରମଣ୍ଡି ନେତ୍ରର ଯେ
ବଳ ହେଲା ଅପାର ତସ୍କରଙ୍କର ଯେ
ବହିନେଲେ କାହାର କାଟି ଅଗାର ଯେ ।
ବଳାରାତିର ପଦହିଁ ଛାରକଲେ କେ ହର-ପର ସଙ୍ଗର
ରଙ୍ଗେ କେ ଉର-ଜରୁ ବାହାରନ କଲେ ଉର ଯେ ।୭।
ବ୍ରଜମୋହନ ଚାହିଁ ଏ ଘନଶୋଭା ମଦନ ମତ୍ତେ ଉଛନ୍ନ
ହୋଇ ସୁଘନ ଜଘନା ମନକରି ପ୍ରସନ୍ନ ଯେ
ବର୍ତ୍ତୁଳ ପୀନ ସ୍ତନ ମର୍ଦ୍ଦନଚନ୍ଦ୍ରବଦନ କରି ଚୁମ୍ବନ
କହନ୍ତି ମନ -ମୋହନ ଘନ-କେଶୀକି ପୁନଃ ଯେ
ବନ୍ଧୁମାନ ମୁଁତୋର କିଣିଲା ଜନରେ
ବଳିଆନ କି ମୋତେ କରିଛି ପୁଣ୍ୟରେ ।
ବସୁଛୁ ମୀନ ଖେଳାଖଞ୍ଜନନୀଳ ନଳିନ ନୟନ ଧନ
କୋଳେ ମୋ ଦିନ ନିଶିରେ ଘେନ ଏ କି ସାମାନ୍ୟ ରେ ।୮।
ବଇଁଶି କର ବିପଞ୍ଚୀ ଗିରଅମୃତ ସ୍ୱର ସୁଧା ମଧୁର
ଧଇର୍ଯ୍ୟ ହର ସ୍ନେହ କନ୍ଦରମୋ ସୁଖକରରେ
ବସନ୍ତବର ବନ ପ୍ରିୟରବଳ ଗମ୍ଭୀର ସୁସ୍ୱର ପର
ଶ୍ରୁତି ଚକୋର ଚନ୍ଦ୍ର ତୋ ଗିରସୁଲଭ ମୋର ରେ
ବଡ଼ ଅମରପୁର ବୋଲନ୍ତି ନର ରେ
ବଳେ ସୁଖ ମୋହର ତାଙ୍କୁ ଅପାର ରେ ।
ବଧୂଲୀ ବର ବିମ୍ବ ମନ୍ଦାର ଓଷ୍ଠ ତୋହର ସୁଧା ମଧୁର
ପିଅନ୍ତେ ମୋର ମାନସ ଛାରକରେ କୁବେର ରେ ।୯।
ବକ୍ର ଚାହାଣୀ ଇଙ୍ଗିତ ବାଣୀଚାତୁରୀ ଶ୍ରେଣୀ ତୋ ଠିଆ ଠାଣି
ଚାଲିବା ଆଣି୧ ପାରିବ-ଜାଣିକେଉଁ ରମଣୀ ରେ
ବ୍ରହ୍ମା କି ପୁଣି ଥିବ ନିର୍ମାଣିତୋ ସଙ୍ଗେ ଗଣିବାକୁ ତରୁଣୀ
ତୋ ଗୁଣ ଗୁଣି ହେବ କି ଗଣିଦିବା ରୟଣୀ ରେ
ବସୁମତୀ ଶିରର ମଣ୍ଡନ ମଣିରେ
ବଶୀକରଣ ଜାଣୁ ତୁ ପାଶୁ ମଣିରେ ।
ବଣା ହରିଣୀ ଜିଣା ଈକ୍ଷଣୀପୃଥୁଳ ଶ୍ରୋଣି ଚାହିଁଲାକ୍ଷଣି
ମୋ ଦମ୍ଭ ହାଣି ମନକୁ କିଣିନେଉ ସୁବେଣୀରେ ।୧୦।
୧। ଆଣି= ଟେକ, ମର୍ଯ୍ୟାଦା, ଢଙ୍ଗ, ଢାଞ୍ଚା ।
ବନଦ କୋଳେ ଚାହିଁ ଚପଳେ ଚପଳା ଖେଳେ ଚିତ୍ତ ତରଳେ
ଚିତ୍ତଜ ଭୋଳେ କମ୍ପୁଛି କଳେ- ବର ଏ କାଳେ ରେ
ବଡ଼ ଆକୁଳେ ବିରହୀ କୁଳେବଞ୍ଚିବେ କୋଳେ ନାହିଁ କମଳେ-
କ୍ଷଣା ଜଞ୍ଜାଳେ ପଡ଼ି ସେ ଫଳେମନେ ନିଷ୍ଫଳେ ରେ
ବଞ୍ଚୁ ଛାଇଁ ଯୁଗଳେ କି କୁତୁହଳେ ରେ
ବସିଅଛୁ ତୁକୋଳେ କନ୍ଦର୍ପ ଭୋଳେ ରେ ।
ବସୁଧା ତଳେ ସ୍ୱର୍ଗେ ପାତାଳେ ମୋଭାଗ୍ୟବଳେ ଥିବ କେ ତିଳେ
ତୁ କାହା ମେଳେ ଥିବୁ ମହିଳେସୁରତ ଖେଳେ ରେ ।୧୧।
ବହୁତମତେ ଚାଟୁ ଭାଷିତେତୋଷି ଉନ୍ମତ୍ତେ ମାତିଲେ ରତେ
ଚିରିଲେ ଯେତେ ରୀତି ତା କେତେକହିବା ଗୀତେ ଯେ
ବସିଲେ କେତେ ଗାତ୍ରରେ କ୍ଷତେନଖ ଭୁଷିତେ ଦନ୍ତ ଆଘାତେ
ସେହି କିଞ୍ଚିତେ କାହିଲା ଚିତ୍ତେକାମ ଉଦ୍ଧତେ ଯେ
ବତିଶକୁ ଦ୍ୱିଗୁଣ କଲେ ସୁରତେ ଯେ
ବନ୍ଧ ବିଧାନ କହି ନଇଲା ମୋତେ ଯେ
ବଦନାୟତେ କୋଟି ପ୍ରମିତେଚୁମ୍ବନ ମିଥେ ଦେଲେ ପ୍ରମତ୍ତେ
ମଣ୍ଡିଲେ ଗାତ୍ରେ ରୋମକେ ସତେସତେ ସେ ଶତେ ହେ ।୧୨।
ବଳିଲା ବଳ ବେଳକୁ ବେଳବିଶ୍ରାମ କାଳ ନ କରି କେଳ-
ତୀଶ ସକଳ ଶାୟକକୁଳକଲା ସଫଳ ଯେ
ବହିଲା ଝାଳ ଶ୍ରମ ପ୍ରବଳହେବାରୁ ବାଳ ଅର୍କପ୍ରବାଳ
ଅଧରୁ ମୂଳ କଲେ କେବଳସୁଧା କେବଳ ଯେ
ବଳାତ୍କାରେ ବାଜୁଛି ବଳୟକୁଳ ଯେ
ବଳା ବାଜେ ବାଜେଣୀ ମଲ୍ଲର ମେଳ ଯେ
ବକ୍ର କମଳ ନେତ୍ର ଭସଳଚୁମ୍ୱୁତ ଥିଲେ ଅନେକ କାଳ
ଅଲଭ୍ୟ ଫଳ ପାଇଲେ ଚେଳବିହୀନେ ମୂଳ ଯେ ।୧୩।
ବହୁତ ରଣ ହେବାରୁ ରଣରଣହାରିଣ କଲା ପ୍ରୟାଣ
ପୁଷ୍ପମାର୍ଗଣ ଜିଣି କେ ଜିଣ-ନ୍ତା କି ଦିଜଣ ଯେ
ବସ୍ତ୍ର ତକ୍ଷଣ ପିନ୍ଧି ସେ ଗୁଣ-ମଣି ରମଣ କୋଳ ଭୁଷଣ
ହୋଇ ଭଷଣ କରଇ ପୁଣଇଶି ଶ୍ରମେଣ ଯେ
ବସନାଞ୍ଚଳେ ବିଞ୍ଚିଦେଇ ରମଣ ଯେ
ବସାଇଲେ ହୃଦରେ ଆଉଜାଇଣ ଯେ ।
ବଞ୍ଚନ୍ତି ଏହି-ରୂପେ ସେ ଜାଣବର୍ଣ୍ଣି ନୋହିଲା ଦିନକ କ୍ଷଣ
ଏହିରୂପରେ ସହସ୍ରେ ଗୁଣତାର ପ୍ରମାଣ ଯେ ।୧୪।
ବରଷାଯାକେ ଏହି କୌତୁକେମାତି ନିଦକେ୨ ବଞ୍ଚିଲେ ଥୋକେ
ପୁଣି ହାଲକେ ପଡ଼ିଲେ ଡ଼ାକେଜୀମୂତ ଟେକେ ଯେ
ବରଷେ ନାହିଁ ଟୋପାଏ ହୋଇଚଞ୍ଚୁ ଫିଟାଇ ଚାତକ ଚାହିଁ
ବସିଲେ କାହିଁ ପଡ଼ଇ ନାହିଁବିନ୍ଦୁ ମାତ୍ରକେ ଯେ
ବଡ଼ କୁହା କୃପଣ ଦ୍ୱାର ଯାଚକେ ହେ ।
ବସି ଏପରି ମରନ୍ତିଟି ବିପାକେ ହେ ।
ବଳି ସୁଶୀଳ ମହା ଭୂପାଳମାର୍ଗଣ ଫଳ ହେବାକୁ କୁଳ
ଚକୋରକୁଳ ପାଇ ଚଞ୍ଚଳହେଲେ ଉତ୍ସୁକ ହେ ।୧୫।
ବଳିଗଲେ ସେ ବୃଷ ମିଥୁନହେଲା ସେକାଳେ ବୃଷ ମିଥୁନ
ଜଳମୁକର ନାହିଁ ଜୀବନକରେ ଗର୍ଜନ ହେ
ବଡ଼ ବିଚିତ୍ର ମନରେ ଘେନଅଗସ୍ତୀ ବିଟପୀରେ ସୁମନ
ଫୁଟିଲେ ଶୀର୍ଣ୍ଣ ହୋଇ ସରିତହେଲେ ଶୋଭନ ଯେ
ବନମାନେ ହୋଇଲେ ଆବିଳ ଶୂନ୍ୟ ଯେ
ବଣିଜାରର ଗଲା ବାଟ ପତନ ଯେ ।
ବଡ଼ ସୁକଳ ହେଲା ଅବନୀକାଳାକରର କରକୁ ଘେନି
ଏବଂଭୂତ ଏ ଶରତକାଳଚିତ୍ର ବିଧାନ ଯେ ।୧୬।
ବସରେ ମନ ହୋଇ ତୋଷରେବାଳାକୁ ଘେନି ଅଙ୍କଦେଶରେ
କେତେ ଆଶରେ ମାତନ୍ତି ସ୍ମରେ କେଳି ବାସରେ ଯେ
ବସନ୍ତି କଦା ଚନ୍ଦ୍ରମା କରେଚୂନଚତ୍ଵରେ୩ ପଲଙ୍କପରେ
ବଞ୍ଚନ୍ତି କଦା ଦୋପୁରୀପୁରେଅବା ଭଦରେ ଯେ
ବୋଲୁଥାନ୍ତି ମିଥରେ ପରିହାସରେ ଯେ
ବକ୍ର ଉକ୍ତି ବିରୁଦ୍ଧ-ଛଳ-ଶ୍ଳେଷରେ ଯେ ।
ବରନାଗର ନାଗରୀ ଦୁହେଁକେହି କାହାକୁ ନିଊନ ନୁହେ
ବିବିଧ ଖେଳ ସଙ୍ଗୀତ ସାହି-ତ୍ୟାଦି ରସରେ ଯେ ।୧୭।
୨। ନିଦକେ= ନିର୍ଭୟରେ ।
୩। ଚୂନ ଚତ୍ଵରେ= ଚୂନ ଚାନ୍ଦିନୀରେ ।
ବଞ୍ଚନ୍ତି ଦିନ ଦିନକେ ଆନଆନ କୁତୁକେ ସେ ବେନି ଜନ
କହିବାକୁ ତ ନାହିଁ ବଚନତାଙ୍କ ସେ ପ୍ରେମେ ଯେ
ବଣିଜ ଘନ ପ୍ରେମାଲିଙ୍ଗନ ସରୁ ଚୁମ୍ବନ ଭୁରୁ ନର୍ତ୍ତନ
ନେତ୍ର ଖେଳନ ଚନ୍ଦ୍ର ଚାଳନନାହିଁ ବିଶ୍ରାମ ଯେ
ବହି ସ୍ୱେଦ ଶେଯହିଁ ହୋଏ କର୍ଦ୍ଦମ ଯେ
ବହେନାହିଁ ତାଙ୍କର ଚିତ୍ତ ସେ ଶ୍ରମ ଯେ
ବଳିଲା ସବୁ ପ୍ରକାରେ ମାର-ଶାସ୍ତ୍ରରୁ ତାଙ୍କ ପ୍ରେମ ନିକର
କହିବସିଲେ ଏହା କେ ଗିରକାହୁଁ ଆଣିମ ଯେ ।୧୮।
ବସତି ସ୍ଥଳ ସେ ଢେଙ୍କାନାଳକରି କେବଳ ଥାଇଁ ନିଶ୍ଚଳ
ହୋଇ ଶ୍ରୀବଳ-ଭଦ୍ର ଗୋପାଳ ମୋହର ବଳ ଯେ
ବଡ଼ବାପାଏ ଶାରଙ୍ଗଧରବାପାଙ୍କ ନାମ ବାଲୁଙ୍କେଶ୍ୱର
ପଟ୍ଟନାୟକ ପଦ ତାଙ୍କରକୁଳର ମୂଳ ଯେ
ବ୍ରଜନାଥ ସ୍ୱନାମ ଅଟଇ ମୋର ହେ
ବଡ଼ଜେନା ପଦ ତ ଦତ୍ତ ନୃପର ଯେ
ବହୁତ ଶ୍ରମେ ରଚିତ କ୍ରମେବର୍ଣ୍ଣ ନିୟମେ ମାତ୍ରା ସଂଯମେ
ରସ ଉତ୍ତମେ କଲି ବର୍ଣ୍ଣନଏ ଛାନ୍ଦ ବର ଯେ ।୧୯।
ବ୍ରଜମଣ୍ଡଳ ବନିତା କୁଳବଦନୋଜ୍ଵଳ ଯାତ ଭ୍ରସଳ
ବର୍ତ୍ତୁଳୋଜ୍ୱଳ ମୁକୁତାଫଳମାଳ ମଞ୍ଜୁଳ ଯେ
ବକ୍ର ଗହଳ ନୀଳକୁନ୍ତଳବିରହୀଚୂଳ ବଂଶୀ ତରଳ
ବାଦନଶୀଳ ବାଳଗୋପାଳ ମେଳ ବତ୍ସଳ ହେ
ବନମାଳ ସଂକୁଳ ହୃଦୟସ୍ଥଳ ହେ
ବକା ଅଘା ଶକଟା ଧେନୁକା କାଳ ହେ ।
ବନଜନୀଳ ପଦ୍ମଯୁଗଳବାହାରେ ବଳ ନାହିଁ କେବଳ
ଦୀନ ମଣ୍ଡଳୀ ମଣ୍ଡନ ମଳବ୍ରଜନାଥର ଯେ ।୨୦।
(ବ-ଆଦ୍ୟ ନିୟମ)
ବଡ଼ କୁତୁକେ ଶୁଣ ରସିକମାନେ
ବଞ୍ଚନ୍ତେ ଶରଦରେ ସେ ବେନିଜନେ ହେ
ବ୍ରହ୍ମା ଯେ ଲେଖିଥିଲା ବିଚ୍ଛେଦ ପୁଣ
ବଳାତ୍କାରେ ସେ ଯଥା ହେଲା ତା ଶୁଣ ହେ ।୧।
ବଇଷ୍ଣବାନନ୍ଦ ଯେ ସେ ରାଜଗୁରୁ
ବଇଷ୍ଣବମାନଙ୍କେ ସତ ସେ ଗୁରୁ ଯେ
ବଂଶୀଧରରୁ ଆନ ସେ ନ ଜାଣନ୍ତି
ବଡ଼ ଉତ୍ସବେ ରାସ ଯାତ୍ରା କରନ୍ତି ଯେ ।୨।
ବହୁତ ମତେ କରି ରାସ ସମ୍ଭାର
ବଇଷ୍ଣବଙ୍କୁ ଆଜ୍ଞା ଦେଲେ ସତ୍ଵର ଯେ
ବସନ୍ତ ତିଳକକୁ ଯାଇ ଆଣିବ
ବ୍ରଜମୋହନଙ୍କୁ ହିଁ ଘେନି ଆସିବ ଯେ ।୩।
ବତିଶ ଅର୍ଦ୍ଧ କୋଶ ସେଠାକୁ ଦୂର
ବ୍ରଜସଦନ ବାଟ ବେନି ଦିନର ଯେ
ବଇଷ୍ଣବ ଗୋସାଇଁ ଆଦେଶେ ଗଲେ
ବସୁଧାପାଳଠାରେ ଆଜ୍ଞା ବହିଲେ ଯେ ।୪।
ବସୁଧାପତି ଶୁଣି ସନ୍ତୋଷ ହେଲେ
ବ୍ରଜମୋହନଙ୍କୁ ହିଁ ତା ବଖାଣିଲେ ଯେ
ବଳଦେବ ମହାପ୍ରଭୁଙ୍କ ଦେଉଳେ
ବସା ଦେଇ ବଇଷ୍ଣବଙ୍କୁ ରଖିଲେ ଯେ ।୫।
ବଡ଼ ସନମାନରେ ଚରଚା ବିହି
ବଟା ବିଜୟା ଭାଙ୍ଗ ବିଟିକା ଦେଇ ଯେ
ବହୁ ରସ ସଂଯୋଗେ ସୁମିଷ୍ଟ ପଣା
ବନାଇ ଆଣିଦେଲେ ପିଷ୍ଟକ ନାନା ଯେ ।୬।
ବ୍ୟଞ୍ଜନ କେତେ ମତେ କରି ରନ୍ଧନ
ବଢା କଲେ ଶୁଆରେ ଅବଢ଼ା ଅନ୍ନ ଯେ ।