ମିତ ମିତ ଡାକୁ ପକ୍ଷି କିଏ ତୋର ମିତ,
ତୋ ବିକଳେ ତରଳିତ ହୁଏ କି ତା’ ଚିତ୍ତ ।
କେତେ ଡାକୁଛୁରେ ତାକୁ ତୁହାଇ ତୁହାଇ,
କାହିଁ ସେ ତ ଥରେ ହେଲେ ଶୁଣିବାକୁ ନାହିଁ ।
ଏଡ଼େ ଯେ ନିଷ୍ଠୁର, ତୋର ସେହି ପରା ମିତ,
ତା’ଠାରୁ ତୁ ଆଶାକରୁ କେଜାଣି କି ହିତ ।
ସେ ତ ଅଛି ବହୁଦୂରେ କରୁ ଯାକୁ କାକୁ,
ତୋର ଏ କାତର ଡାକ ପାଏ କି ସେଠାକୁ ।
କଣ୍ଠ ଡାକ ସେ ସ୍ଥାନକୁ ଶୁଭୁଥିବ ନାହିଁ,
ପ୍ରାଣର ଆହ୍ୱାନ ଏକା ପାରେ ତହିଁ ଯାଇ ।
ଡାକ ପକ୍ଷି ! ପ୍ରାଣ ଭରି କହ ପ୍ରାଣବାଣୀ,
କଠୋର ପାଷାଣ ହୃଦ ହୋଇଯିବ ପାଣି
ପିଉଁ ପିଉଁ ବୋଲି ଆଉ କହନା କହନା,
ପିଇବାକୁ ପାଣି ତୋତେ କେ କରିଛି ମନା ।
ରୁଚେ ନାହିଁ କିପାଁ ତୋତେ ଜଳାଶୟ ଜଳ,
ସେ ତ ସେହି ଶୂନ୍ୟଜଳ ମଧୁର ଶୀତଳ ।
ପିଇଦେ ତହିଁରୁ ଢୋକେ ତୃଷାର୍ତ୍ତ ଚାତକ,
ଜାତି ଯିବ ନାହିଁ କିମ୍ବା ନ ହେବ ପାତକ ।
ତୋହୋ ପରି ତୃଷାତୁର ଆବର ଗାଙ୍ଗୋଇ,
ରାବୁଥାଏ ଉଡ଼ି ଉଡ଼ି ଶୁଷ୍କକଣ୍ଠ ହୋଇ ।
ଶୋଷେ ରହି ମାଛ ଖାଏ ଜଳ ମଧ୍ୟୁ ଆଣି,
ମେଘେ ଚାହିଁ ମାଗୁଥାଏ—‘ଦେପାଣି-ଦେପାଣି ।’
ମାଛ କି ପବିତ୍ର ଏଡ଼େ, ପାଣି ଅପବିତ୍ର,
ଗାଙ୍ଗୋଇର ଏ ବିଚାର ନୁହେଁ କି ବିଚିତ୍ର ।
ଏତକ ରଖିଥା ମନେରେ କ୍ଷୁଦ୍ର ଚାତକ,
ମିତ ମହାସାହୁକାର, ତୁ ଚିର ଖାତକ ।
ଜନ୍ମେ ଜନ୍ମେ ପକ୍ଷି ତୁହି ତାହା ପାଶେ ଋଣୀ,
ସେ ଋଣ ହେବାର ନୁହେଁ ପରିଶୋଧ ପୁଣି ।
ମନେ ଧ୍ୟାନେ କରୁଥାରେ ମତକୁ ସ୍ମରଣ,
କରିବ ସେ ତୁଣ୍ଡେ ତୋର ଅମୃତ ବର୍ଷଣ ।
ସାଧୁ ଉପଦେଶ ବଡ଼ ମଧୁର,
ପ୍ରଣୟ ମଧୁର ପ୍ରିୟବନ୍ଧୁର ।
ମଧୁର ଶିଶୁର ଅର୍ଦ୍ଧବଚନ,
ନିଦାଘେ ମଧୁର ଚନ୍ଦ୍ରକିରଣ ।
ମଧୁରଟି ମାତୃଭାଷା ପ୍ରଚୁର,
ହରି ନାମାମୃତ ମହାମଧୁର ।
କୃପଣର ଟଙ୍କାସ୍ୱର ମଧୁର,
ତହିଁ କ୍ଷୁଧାତୃଷା ହୁଏ ତା ଦୂର ।
ବୀର ଶୁଦ୍ଧ ହୁଏ ଆଚରି ଯୁଦ୍ଧ
ହରିପ୍ରେମେ ହୁଏ ସାଧକ ଶୁଦ୍ଧ ।
ପାପୀ ଶୁଦ୍ଧ ହୁଏ ଅନୁତାପରେ,
ଅଶଉଚ ଶୁଦ୍ଧ ସିନାନ ପରେ ।
ଦେଶ ଶୁଦ୍ଧ ହୁଏ ସ୍ୱାଧୀନତାରେ;
ତୁଣ୍ଡ ଶୁଦ୍ଧ ହୁଏ ସତକଥାରେ ।
ଫୁଲ ଶୁଦ୍ଧ ହୁଏ ଦେବତା ସ୍ପର୍ଶେ,
ବୁଦ୍ଧି ଶୁଦ୍ଧ ହୁଏ ସାଧୁ ଆଦର୍ଶେ ।
ରସ ନ ଥିଲେ ଟି ସଙ୍ଗୀତ ପିତା,
ପାପୀ ପକ୍ଷେ ପିତା ଧରମ ଚିନ୍ତା ।
ପିତା ଲାଗେ ସାଧୁକାନକୁ ମିଥ୍ୟା
ଚିରରୋଗୀ ତୁଣ୍ଡେ ଔଷଧ ପିତା ।
ହିତକଥା ପିତା ଲାଗେ ଦୁର୍ଜନେ,
ଗୁରୁନିନ୍ଦା ପିତା ଶିଷ୍ୟ ଶ୍ରବଣେ ।
ମୁମୂର୍ଷୁକୁ ପିତା ତାରକମନ୍ତ୍ର,
ମଣେ ସେ ତାହାକୁ କୋଚିଳା ପତ୍ର ।
ମନକୁ ଘାଣ୍ଟିଲେ ଦୁଃଖ ଦୁଶ୍ଚିନ୍ତା,
ସବୁ କଥା ଲାଗେ ସେ କାଳେ ପିତା ।
ମର୍ମଜଳା କଟୁ ମୂର୍ଖଭର୍ତ୍ସନା,
କଟୁ କଳିହୁଡ଼ୀ ନାରୀ ରସନା ।
ଚୂନ ପରି କଟୁ ପଣ୍ଡିତ ଶ୍ଳେଷ,
କଟୁ ଦୁଷ୍ଟପ୍ରଭୁ ରୁଷ୍ଟ ଆଦେଶ ।
ମିଥ୍ୟା ଅପବାଦ କଟୁ ଦୁର୍ବାର,
କଟୁ ସବୁଠାରୁ ଆତ୍ମଧିକ୍କାର ।
ହେ ମୃତ୍ୟୁ ପରମବନ୍ଧୁ ହେ ଅନ୍ତିମ ସଖା,
ତୁମ୍ଭ ସ୍ନେହ, ଦୟା, ଦାନ, ସବୁ ମଧୁମଖା ।
କହିଛନ୍ତି ଉଚ୍ଚକଣ୍ଠେ ଚାଣକ୍ୟ ପଣ୍ଡିତ,
ଶ୍ମଶାନେ ଯେ ସାହା ହୁଏ ସେହି ଏକା ମିତ୍ର ।
ତୁମ୍ଭ ବିନା ଶ୍ମଶାନରେ କିଏ ଆଉ ସାହା,
ଦେଖାଇପାର ହେ ତୁମ୍ଭେ ପରଲୋକ ରାହା ।
ଜନ୍ମ ଆଣି ଛାଡ଼ିଦେଇ ଗଲା ଏ ସଂସାରେ,
ତୁମ୍ଭେ ଆସି ନେଇଯିବ ଭବସିନ୍ଧୁ ପାରେ ।
କେହି ନାହିଁ ତୁମ୍ଭ ପରି ହିତୈଷୀ ବାନ୍ଧବ,
ତୁମ୍ଭ ଯୋଗୁଁ ଦେଖେ ନର ଅମର ଉତ୍ସବ ।
ତୁମ୍ଭ ସ୍ପର୍ଶେ ହୁଏ ଜୀବ ନିର୍ମଳ ପାବନ,
ଜନ୍ମ ଯନ୍ତ୍ରଣାରୁ ତୁମ୍ଭେ କର ନିସ୍ତାରଣ ।
ଜୀବନ ଯନ୍ତ୍ରଣାପୂର୍ଣ୍ଣ, ମୃତ୍ୟୁ ମହାସୁଖ,
ନ ଜାଣି ହୁଅନ୍ତି ଜନେ ମରଣେ ବିମୁଖ ।
ଏ ଅତି ଆଶ୍ଚର୍ଯ୍ୟ, ମାତ୍ର ନୁହେଁ ଅସମ୍ଭବ,
କରୁଛି ମୋହିନୀ ମାୟା ଜ୍ଞାନେ ପରାଭବ ।
ମାୟାକୁ ପାରିବ ଜିଣି ଯେତେବେଳେ ଜ୍ଞାନ,
ବୁଝିବ ସେ କାଳେ ଲୋକ ଏ ତତ୍ତ୍ୱ ମହାନ ।
ହେ ମୃତ୍ୟୁ ଭୀଷଣ ତୁମ୍ଭେ ଜନ କଳ୍ପନାରେ,
ମାତ୍ର ଦୟାବନ୍ତ, ଶାନ୍ତ, ଦାନ୍ତ ଏକାଧାରେ ।
ଉପମାନ ଯମ ତବ, ପରମ ସଂଯମୀ,
ଅର୍ପୁଛି ମୁଁ ପୁଷ୍ପାଞ୍ଜଳି ପୟରେ ପ୍ରଣମି ।
ଦିନେ ତ ସାକ୍ଷାତ ହେବ ନିଶ୍ଚେ ତବ ସହ,
କେତେ ଦୂରେ ସେ ସୁଦିନ ଭାବେ ଅହରହ ।
ସଂସ୍କାର-ବୟାର ଦେଶେ ଗର୍ଜେ ସାଇଁ ସାଇଁ,
ସବୁଜାତି ଧାଇଁ ଛନ୍ତି ବଡ଼ ହେବା ପାଇଁ ।
ହାଡ଼ି, ପାଣ, କେଳା, ଡୋମ, କଣ୍ଡରା, ବାଉରି,
“ଆମେ ବଡ଼-ଆମେ ବଡ଼” ଛାଡ଼ୁଛନ୍ତି ହୁରି ।
ବଡ଼ ଶବ୍ଦରେ କି ଗୁଡ଼ ହୋଇଅଛି ଗୋଳା,
ଚାଟିଲେ ଲାଗିବ ମିଠା, ତହିଁ ପାଇଁ ଭୋଳା ।
ମରି ଯେବେ ଯମପୁରେ କରିବ ଗମନ,
ବଡ଼ ବୋଲି ପାଇବ କି ଗାଲିଚା ଆସନ ।
ହୃଦୟକୁ ବଡ଼ କର, କର ବଡ଼ କାମ,
ତେବେ ତ ପାଇବ ଶୋଭା ବଡ଼ଜାତି ନାମ ।
ଗଙ୍ଗାଜଳ ପରି କର ସ୍ୱଭାବ ନିର୍ମଳ,
ସମସ୍ତଙ୍କୁ ବଡ଼ କରେ ଚରିତ୍ର କେବଳ ।
ପଇତା ପକାଇ ଯେବେ ହେବ ବଡ଼ଜାତି,
ପକାଅ ପଇତା ତେବେ ଘେନି ପୁଅ ନାତି ।
ହେବ ବଡ଼, ଅତିବଡ଼, ଅତିଠାରୁ ବଡ଼,
ପାଇବ ସମ୍ମାନ ପୁଣି ଶଗଡ଼ ଶଗଡ଼ ।
ହୋଇପାର ମୁକ୍ତ ଯେବେ ଦ୍ୱେଷ ହିଂସା ଗର୍ବୁ,
ବଡ଼ଜାତି ବଡ଼ହାତୀ ହେବ ସିନା ସବୁ ।
ସବୁଜାତି ବଡ଼ ଯେବେ ହୋଇଯିବ ଉଠି,
ବଡ଼ର ମହତ୍ତ୍ୱ ତେବେ ରହିବ କେଉଁଠି ?
ସାନ ଶବ୍ଦଟିକୁ ପେଷି ଆନ୍ଦାମାନେ ଧାତି,
ଛତିଶ ପାଟକଯାକ ହୁଅ ବଡ଼ଜାତି ।
ବଡ଼ ପଛେ ହୁଅ, ତହିଁ ନାହିଁ କାର ରୁଷା,
ମାତ୍ର କେବେ ଛାଡ଼ ନାହିଁ କୁଳର ବେଉସା ।
ଛାଡ଼ ନାହିଁ ବୃତ୍ତି, ବୃତ୍ତି ପୋଷଇ କୁଟୁମ୍ବ,
ପୁତ୍ରସମ ବୃତ୍ତି, ସ୍ନେହେ ଶିର ତାର ଚୁମ୍ବ ।
ଶିରଶ୍ଛେଦଠାରୁ ବଳେ ବୃତ୍ତିଚ୍ଛେଦ କଷ୍ଟ,
ବୃତ୍ତି ଛାଡ଼ି କର ନାହିଁ ପରକାଳ ନଷ୍ଟ ।
ସ୍ୱବୃତ୍ତି ମାନବପକ୍ଷେ ସ୍ୱଧର୍ମ ସମାନ,
ଧର୍ମଛଡ଼ା ହେଲେ ଘଟେ ପ୍ରମାଦ ମହାନ ।
ଗୁଣ, କର୍ମ ଯୋଗୁଁ ବଡ଼ ହୁଅନ୍ତି ମାନବେ,
ପଇତାରେ ବଡ଼ କେହି ହୋଇ ନାହିଁ ଭବେ ।
ସୁନାକୁ ସୁନ୍ଦର ଗଜମୁକୁତା,
ସ୍ୱଭାବକୁ ଶୋଭା ସତ୍ୟ, ସାଧୁତା ।
ବୀରକୁ ସୁନ୍ଦର ବୀର୍ଯ୍ୟ, ପ୍ରଭାବ,
ଭାଷାକୁ ସୁନ୍ଦର ସହଜ ଭାବ ।
ଗୀତକୁ ସୁନ୍ଦର ମଧୁର ସ୍ୱର,
ବିତ୍ତକୁ ତେସନ ଦାନ ସୁନ୍ଦର ।
ବିଦ୍ୟାକୁ ସୁନ୍ଦର ଚତୁରପଣ,
ରଜାକୁ ସୁନ୍ଦର ପ୍ରଜାରଞ୍ଜନ ।
ସୃଷ୍ଟିର ପ୍ରଦୀପ ଚନ୍ଦ୍ର ତପନ,
କୁଳର ପ୍ରଦୀପ ଯୋଗ୍ୟ ନନ୍ଦନ ।
ମହୀ ଦୀପଶିଖା ଏକା ମହୀପ,
ପରଲୋକ ପଥେ ଧର୍ମ ପ୍ରଦୀପ ।
ଶରୀରର ଦୀପ ନୟନ-ତରା,
ସ୍ୱର୍ଗର ପ୍ରଦୀପ ରମ୍ୟ ଅମରା,
ହୃଦୟର ଦୀପ ନିର୍ମଳ ଜ୍ଞାନ,
ଈଶ୍ୱର ଦୀପର ଦୀପ ସମାନ ।
ଅଙ୍କିପାରେ ଯେହୁ ସ୍ୱଭାବ ଛବି,
ତାହାକୁ ଜାଣିବ ପ୍ରକୃତ କବି ।
ଯାହା କାବ୍ୟେ ଯାଏ ହୃଦୟ ଦ୍ରବି,
କବି ମଧ୍ୟେ ସେହୁ ପ୍ରଧାନ କବି ।
ସକଳ ବିଷୟେ ଯେ ଅନୁଭବୀ,
ସେହି ଏକା ବିଜ୍ଞ, ସେ ଏକା କବି ।
ଯା ଲେଖାରୁ ପଡ଼େ ଅମୃତ ସ୍ରବି,
ତାହାକୁ ବୋଲନ୍ତି ସ୍ୱଭାବ କବି ।
କବିତାରେ ମନ ମୋହି ଯେ ପାରେ,
କବିକଳା ଥାଏ ତାହାରିଠାରେ ।
ଯା କାବ୍ୟରୁ ପଡ଼େ କୌମୁଦୀ ଝରି,
କବିପଦେ ତାକୁ ପହିଲେ ବରି ।
ଯାହା କବିତାର ପ୍ରାଣ ସାଧୁତା,
ତାହାରି କବିତା ମଣି ମୁକୁତା ।
ଉଚ୍ଚଭାବେ ପୂର୍ଣ୍ଣ ଯାହା କବିତା,
କବି-ଜ୍ୟୋତିଷ୍କରେ ସେହି ସବିତା ।
ଯା ନାମେ ସୁଖ୍ୟାତି ବାଇଦ ବାଜେ,
କବିପଣ ଏକା ତାହାକୁ ସାଜେ ।
ଭସ୍ମରେ ଦିଏ ଯେ ଘିଅ ଅଜାଡ଼ି,
କବିଙ୍କ ମଧ୍ୟରେ ସେହି ଅଗାଡ଼ି ।
କେଣେ ଗଲୁ ପଇସାରେ ବିଶ୍ୱର ମଉସା,
କେଉଁଠି ଲୁଚିଛୁ ଯାଇ ଦେଇ ଆଡ଼ରୁଷା ।
ଦୁଃଖୀର ତାରକମନ୍ତ୍ର, ଧନୀର ଜୀବନ,
କୃପଣ ରଙ୍କୁଣିନିଧି, ଦୁର୍ଜନ ନୟନ ।
ତୁ ହାକିମ, ତୁ ଓକୀଲ, ତୁ ଦଫା, ଆଇନ,
ଅଭାବ-ଜ୍ୱର-ମଳୁର ତୁ କୁଇନାଇନ ।
ପାଠୁଆ, ଅଣପାଠୁଆ, ରାଜା, ପ୍ରଜା, ଯୋଗୀ,
ଧାର୍ମିକ, ନିର୍ଦ୍ଧନ, ଦାତା, ଠକ, ଚୋର ରୋଗୀ,
ସମସ୍ତଙ୍କୁ ତୋହୋ ବିନା ଗ୍ରାସିଲାଣି ଶଙ୍କା,
ଝୁରି ହେଉଛନ୍ତି ସର୍ବେ ହା ଟଙ୍କା, ହା ଟଙ୍କା ।
ତୁହି ପିତା, ମାତା, ପୁତ୍ର, ଶୁଖୁଆ, ପଖାଳ,
ଧର୍ମଅର୍ଥ କାମ ମୋକ୍ଷ ଇହ-ପରକାଳ ।
ତୁହି ବୁଦ୍ଧି, ଜ୍ଞାନ, ବଳ, ତୁହି ନିଶ, ଦାଢ଼ି,
ଗୃହିଣୀ ଶ୍ରୀଅଙ୍ଗେ ତୁହି ବନାରସୀ ଶାଢ଼ୀ ।
ତୁହି ସୁନାରୂପା ଚୁଡ଼ୀ, ତୁହି ବାଜୁବନ୍ଧ
ନ ଦେଖି ତୋ ଚକାମୁଖ ଜନେ ହେଲେ ଅନ୍ଧ ।
ମାଆ ତୋର ଧବଳାଙ୍ଗୀ ଚାନ୍ଦମୁହୀଁ ଟଙ୍କା,
ମାଆ ପୁଅ କରିଦେଲ ଦୁନିଆ ତାଟଙ୍କା ।
ଆସ ଭଲା ଫେରିଆସ ଲୁଚ ନାହିଁ ଆଉ,
ମନଇଚ୍ଛା ସାରିଲଣି ସାଧି ତୁମ୍ଭେ ଦାଉ ।
ପ୍ରାଣେ ପ୍ରାଣେ ବାଧିଲାଣି ତୁମ୍ଭର ବିରହ,
ତୁମ୍ଭଲାଗି ହାହାକାର ଉଠେ ଅହରହ ।
ଆସ ବନ୍ଧୁ, ଆସ ପ୍ରିୟ ନ ହୁଅ ନିଷ୍ଠୁର,
ତୁମ୍ଭେ ପରା ଜଗତର ଜୀବନ୍ତ ଠାକୁର ।
ନଅଙ୍କରେ ଘଟିଥିଲା ଶସ୍ୟର ଦୁର୍ଭିକ୍ଷ,
ପଇସା ଦୁର୍ଭିକ୍ଷ ହେଲାଏ କାଳେ ପ୍ରତ୍ୟକ୍ଷ ।
ଧାଇଁ ଆୟ ପଇସାରେ ବାବୁ ସୁନାପୁଅ,
ଅର୍ଥସଙ୍କଟ-ଅନ୍ଧାରେ ଜାଳିଦେ ଆଲୁଅ ।
ରାଜା ଉପରେ ତୁ ରାଜା ଗୁରୁଙ୍କର ଗୁରୁ,
କବି କହେ ତୋ ଚରଣେ ଦଣ୍ଡବତ ଦୁରୁ ।
ମୁର୍ମୂଷୁରେ, କାନ୍ଦୁ କିପାଁ ସନ୍ତୁଳି ମନକୁ,
ରାଜପୁତ୍ର ତୁହି ଯିବୁ ରାଜଦଶନକୁ ।
ପିତା ତୋର ତ୍ରିଜଗତ ଚକ୍ରବର୍ତ୍ତୀ ରଜା,
ତାଙ୍କ ପୁଅ ହେଇ କାନ୍ଦୁ, ମୁଖେ ନାହିଁ ଲଜ୍ଜା ।
କି ଭୟ ତୋହର ଭୀରୁ, କାହାକୁରେ ଭୟ,
ମୂର୍ଖପଣେ ଅକାରଣେ ହେଉଛୁ ଅଥୟ ।
ଜଞ୍ଜାଳ, ଅଜଟ, ଅଳି ପୁଅକୁ ସୁନ୍ଦର,
ତା’ ନକରି କାନ୍ଦେ ଯେ, ସେ ଅଜ୍ଞାନ ଇତର ।
ପୂଜିବୁ ତୁ ପିତାଙ୍କର ପାଦ ଅହର୍ନିଶ,
ଏହାଠାରୁ ସୌଭାଗ୍ୟ ବା ଅଛି ଆଉ କିସ ।
ବହୁ ପୁଣ୍ୟେ ସେ ସୁଭାଗ୍ୟ ମିଳେ ସିନା ମୂଢ଼,
ପରିହରି ଶୋକ ଭୟ ଚିତ୍ତ କର ଦୃଢ଼ ।
ପିତୃପୂଜା ରାଜପୂଜା ଦେବପୂଜା ତହିଁ,-
ଏକାଧାରେ କରିବୁରେ ପିତୃଗୃହେ ରହି ।
ପାଇବୁ ସେଠାରେ ସ୍ନେହ, ଆଶିଷ, ଆଦର ।
ହସି ହସି ଖୁସି ହୋଇ ଚାଲି ଯା ସତ୍ୱର,
ପୁତ୍ର ପାଇଁ ପିତୃହୃଦ କରୁଣାରେ ଭରା,
ତେଣୁ ସିନା ଆଗେ ତୋତେ କଲେ ସେ ହକରା ।
ମହା ଭାଗ୍ୟଧର ତୁହି, କାନ୍ଦନା କାନ୍ଦନା,
ରାଜାଙ୍କର ଥାନୀପ୍ରଜା ନୋହୁ ତୁ ଚାନ୍ଦନା ।
ଶୁଭକାର୍ଯ୍ୟେ କାନ୍ଦିଲେରେ ଫଳିବ ଅଶୁଭ,
ବାସୁକି ଔରସୁ ଜନ୍ମି ହେବୁ କି ଡୁଣ୍ଡୁଭ ।
ମହାଯାତ୍ରା ଏ ତୋହର-ମହାଶୁଭ ଯାତ୍ରା,
ବଢ଼ାଉ କିପାଁଇ କାନ୍ଦି ଅମଙ୍ଗଳ ମାତ୍ରା ।
କପିଳାସ ସିଂହାସନେ ବିଜେ ଶୂଳପାଣି,
ବାମଭାଗେ ବସିଛନ୍ତି ଦୁର୍ଗା ଠାକୁରାଣୀ ।
ଲାଗିଅଛି ଖୁସିଗପ ଭାରି ଆଡ଼ମ୍ବରେ,
ହୁଁ’ ଦେଉଅଛି ନନ୍ଦି ବସି ସମ୍ମୁଖରେ ।
ପୃଚ୍ଛାକଲେ ହୈମବତୀ- “ହେ କୃପା-ଆଧାର,
ମଞ୍ଚପୁରୁ ଉଠେ କିପାଁ ଆର୍ତ୍ତ ହାହାକାର ।”
ଭାଷିଲେ ମହେଶ, ‘‘ଦେବି, ଶୁଣ ମନ ଦେଇ,
ମର୍ତ୍ତ୍ୟରୁ ପଇସା ଟଙ୍କା ଯାଇଛି ଉଭେଇ ।
ସମସ୍ତଙ୍କୁ ଘାରିଅଛି ଅଭାବର ନିଶା,
ଭଜି ହେଉଛନ୍ତି ସର୍ବେ ପଇସା ପଇସା ।”
ପୁଚ୍ଛିଲେ ପାର୍ବତୀ- ‘‘ଏ ତ ବିଷମ ସଙ୍କଟ,
ମୁଦ୍ରାଦେବୀ ମଞ୍ଚେ କିପାଁ କଲେ ବୟକଟ ।’’
ଉତ୍ତରିଲେ ହର, “ପ୍ରିୟେ ଶୁଣ ସମାଚାର,
ମର୍ତ୍ତ୍ୟବାସୀ କଲେ ମୁଦ୍ରା ଅପବ୍ୟବହାର ।
ସର୍ବତ୍ର ସୁଲଭ ମୁଟି ମଦରଙ୍ଗା ଛାଡ଼ି,
ଖାଇଲେଣି ଫୁଲକୋବି କିଣି ପାଣ ହାଡ଼ି ।
ଅର୍ଥେ ବେଖାତର କଲେ ଧନିଜନମାନେ
ପଣକ ସ୍ଥାନରେ ଖର୍ଚ୍ଚ କରନ୍ତି କାହାଣେ ।
ଖେଳରେ କେ ଉଡ଼ାଉଛି କେ ଅବା ନିଶାରେ,
କିଏ ମାଲିମାମଲାରେ ମାତିଣ ହିଂସାରେ ।
କାହାକୁ ବା ରୁଚେ ନାହିଁ ଘରେ ରନ୍ଧା ତୁଣ,
ଖାଏ ସେ ବିଦେଶୀ ତୁଣ କରି ସୁଦ୍ଧା ଋଣ ।
କେ ପଇସେ ଅର୍ଜି କରେ ଖରଚ ଟଙ୍କାଏ,
ନବାବଙ୍କ ନିତି ପରି କ୍ୟା ପରବାଏ ।
ପରମୁଖେ ଢାଳେ କିଏ ଟଙ୍କା ମୁଣି ମୁଣି,
ପାଇବ ବୋଲି ସେ ପଦ ସ୍ୱର୍ଗର ନିଶୁଣୀ ।
ଯାହାର ମୁଣ୍ଡର ଦାମ୍ ନୁହେଁ କଡ଼ାକର,
ସୁଉକେ ଦେଇ ସେ ଦେଖେ ଯାତ୍ରା ଥିଏଟର ।
ଚୁଆ ଚନ୍ଦନର ଆଉ ନାହିଁ ସମାଦର,
ତା’ ରାଜ୍ୟେ ରାଜତ୍ୱ କରେ ଏସେନ୍ସ ଅତର ।
ଦୁଇଅଣା ଅର୍ଜିବାକୁ ଯେହୁ ଅଶକତ,
ପିଉଛି ସେ ଛ’ ଅଣାର ସୋଡ଼ା ସରବତ ।
ଖଦି ଛାଡ଼ି ପିନ୍ଧେ କେହି ଫୁଲଧଡ଼ି କୋରା,
କେ ସାବୁନ ଘଷିହୁଏ ହେବ ବୋଲି ଗୋରା ।
ଚିତଉ ଚକୁଳି ପିଠା କାହାକୁ ବା ଗନ୍ଧାଏ,
ପାଉଁରୋଟି ବିଷ୍କୁଟ୍ ସେ ନିତି କିଣି ଖାଏ ।
ସମସ୍ତଙ୍କୁ ଲୋଡ଼ା ଏକା ସାଇକେଲ ଘଡ଼ି,
ମୂଲ ଲାଗିବାକୁ କୁଲି ଯାଏ ମୋଟର ଚଢ଼ି ।
ପଚି ମାଟି ହୋଇଯାଏ ବାଡ଼ିରେ କରଞ୍ଜ
କିରୋସିନ୍ ନ କିଣିଲେ ଜଳେ ନାହିଁ ସଞ୍ଜ ।
ହସିବ ନାହିଁ ତ ଶୁଣି ଆଉ ଗୋଟେ କଥା,
ଶୁଣ ତେବେ ମନଯୋଗ ଦେଇଣ ସର୍ବଥା ।
ନାରୀଏ ମାଖନ୍ତି ଭସ୍ମ ସନ୍ନ୍ୟାସିନୀ ପରି,
ମୁଖେ ବୋଳି ପାଉଡର ହୁଅନ୍ତି ସୁନ୍ଦରୀ ।
ଆବର କଥାଏ ପ୍ରିୟେ ଶୁଣ ଦେଇ ଧିସା,
ଦୁଧଦାନ୍ତ ବାଳକଙ୍କୁ ଧରିଛି ଚାଳିଶା ।
ଚଷମା ନହେଲେ ତାଙ୍କୁ ଦିଶେ ନାହିଁ ବାଟ,
ଏ ରୋଗେ ପୀଡ଼ିତ ବେଶି ଇସ୍କୁଲିଆ ଚାଟ ।
ନିଆଁ ପାଣି ପବନ ବି କିଣୁଛନ୍ତି ଜନେ,
ମଞ୍ଚପୁରେ ଗ୍ରାସିଅଛି ଦୁର୍ଗତି ଏସନେ ।
ଚାକିରିଆ ଲୋକଙ୍କର ଭାରି ବାବୁଆନା,
ଛ’ ଟଙ୍କା ଘୋଡ଼ାକୁ ଲୋଡ଼ା ନ ଟଙ୍କାର ଦାନା ।
ନିତି ଆଣି ଖାଏ ଯେହୁ ନତୁବା ଉପାସ,
ଦେଖି ତାର ଛଇ କିଏ ସମ୍ଭାଳିବ ହାସ ।
ଇତର ଭଦର ନାହିଁ ଭେଦଭାବ ଲେଶ,
ବାବୁ ଠାରୁ ବଳିଯାଏ ଚାକରର ବେଶ ।
ପଇସାକୁ ନାହିଁ ତିଳେ କାହାରି ଖାତର,
ତା’ ଲାଗି ଲାଗିଛି ପଣି ହିଂସା ମନାନ୍ତର ।
ଏହା ଏକ ମଞ୍ଚପୁରେ ବିଷମ ସମସ୍ୟା
ବିଚିତ୍ର ବିରେଧାଭାସ ଶୁକ୍ଳ ଅମାବାସ୍ୟା ।
ବିଭାବ୍ରତାଦିରେ ଲୋକେ ବାଣ ରୋସନିରେ,
ବହୁ ଅର୍ଥ ପୋଡ଼ୁଛନ୍ତି ବିଅର୍ଥେ ଅଗିରେ ।
ବିଳାସରେ ହେଉଅଛି କୋଟି କୋଟି ବ୍ୟୟ,
ନୁହଁ କି ଅର୍ଥର ଏହା ବ୍ୟର୍ଥ ଅପଚୟ ।
ଅର୍ଥର ମହତ୍ତ୍ୱ ତହିଁ ହେଉଛି ନିଊନ,
ବଢ଼ୁଅଛି ଅର୍ଥାଭାବ କ୍ରମେ ବହୁଗୁଣ ।
ଅର୍ଥର ଅବଜ୍ଞା ପାପେ ଲିପ୍ତ ହୋଇ ନରେ
କରୁଛନ୍ତି ପ୍ରାୟଶ୍ଚିତ୍ତ ହାହାକାର ସ୍ୱରେ ।
ଆଜି ପାଇଁ ଚକ୍ଷୁବନ୍ତ କାଲି ପାଇଁ ଅନ୍ଧ-
ହେଲେ ଏହିପରି ସିନା ଘଟେ ଦଶା ମନ୍ଦ ।
ଅଳଙ୍କାର ଶାଧ କ୍ରମେ ବଢ଼ୁଛି ଭୀଷଣେ,
ବହୁ ଅର୍ଥ କ୍ଷୟ ହୁଏ କେବଳ ଭୂଷଣେ ।
ପିତ୍ତଳ କଂସାକୁ କେହି ଛୁଇଁବାକୁ ନାହିଁ,
ପାଣବଧୁ ହେଉଅଛି ସୁନାରୂପା ଛାଇ ।
ଗିଲିଟି ବାସନ ପୁଣି ଗିଲିଟି ଗହଣା,
ଟାଣି ନେଇଯାଉଅଛି ପୁଣି ଅର୍ଥ ଅକଳନା ।
ଅତି ବୁଦ୍ଧିମାନ ଲୋକେ ମୋହେ ମାରି ହେଣ୍ଡି,
ସୁନା ଦେଇ ଆଣୁଛନ୍ତି କିଣି ତୁଚ୍ଛା ଭେଣ୍ଡି ।
ଦୁଇଦିନେ ତାହା ପୁଣି ଯାଏ ଖତ ଗାଢ଼େ,
ଏହିପରି ଅର୍ଥ ଶ୍ରାଦ୍ଧ ହୁଏ ଚାରିଆଡ଼େ ।
ଘୋର ଅତ୍ୟାଚାର ହୁଏ ମୁଦ୍ରାଦେବୀ ପ୍ରତି,
କେହି ବୁଝିବାକୁ ନାହିଁ ନିଜର ଦୁର୍ଗତି ।
ମୂଲିଆ ବାପୁଡ଼ା ନିତି ଅର୍ଜୁଅଛି ଯାହା,
ନିଆଁ ଧୂଆଁରେ ଉଡ଼ାଇ ଦେଉଅଛି ତାହା ।
ନ ହେଲେ ବିଲାତି ଧୂଆଁ ଲାଗେ ନାହିଁ ମିଠା,
ସ୍ୱଦେଶୀରେ ରସ ନାହିଁ ଖାଲି ତୁଚ୍ଛା ସିଠା ।
ମୂଳମୂଳିକା ଉପରେ ସର୍ବେ ବୀତଶ୍ରଦ୍ଧ,
ଅଗ୍ନା ମୂଲ୍ୟେ କିଣୁଛନ୍ତି ବିଦେଶୀ ଔଷଧ ।
ସାମାନ୍ୟ ଟିକିଏ ହେଲେ ଦେହ ଖିଟ୍ମିଟ୍,
ଡାକ୍ତରଙ୍କୁ ଡାକି ଆଣି ଗଣନ୍ତି ଭିଜିଟ୍ ।
କେତେଆଡ଼େ କେତେ ରସ ବହିଯାଏ ସୁଏ,
ଚିପୁଡ଼ିଲେ ନ ବାହାରେ ସତ୍କାର୍ଯ୍ୟେ ବିନ୍ଦୁଏ ।
ଅବିଦ୍ୟାରେ ଅପବ୍ୟୟ ସର୍ବେ କରୁଛନ୍ତି,
ମୁଦ୍ରାଦେବୀଙ୍କର ଆଉ ନାହିଁ ଜାତିପତି ।
ଏହିପରି ଦେବୀ ବହୁ ଅପମାନ ପାଇ,
ଅଭିମାନେ ଲୁଚିଛନ୍ତି କେଉଁଠାରେ ଯାଇ ।”
ପତିମୁଖୁଁ ଶୁଣି ସତୀ ମର୍ତ୍ତ୍ୟର ଦୁର୍ଗତି,
ପୁଛିଲେ ବିସ୍ମୟ ଲଭି- “କହ ପଶୁପତି !
ମର୍ତ୍ତ୍ୟବାସୀ ଜନଙ୍କର କୃତକର୍ମ ଦୋଷେ,
ଚାଲିଗଲେ ମୁଦ୍ରାଦେବୀ ଅଭିମାନ ରୋଷେ ।
କେତେକାଳେ ତାଙ୍କ ରାଗ ହୋଇବ ପାକଳ
ବାହୁଡ଼ି ଆସିବେ ଦେଖି ଲୋକଙ୍କ ବିକଳ ।”
ଉତ୍ତରିଲେ ଗଙ୍ଗାଧର ମୃଦୁ ମୃଦୁ ହସି,
“ପୁଚ୍ଛା କଲ ଯେଉଁ ତଥ୍ୟ ଶୁଣ ତା ପ୍ରେୟସି !
ମୁଦ୍ରା ଦେବୀ ସମସ୍ତଙ୍କର ଜୀବର ଜୀବନ,
ତାଙ୍କ ବିନା ମଞ୍ଚପୁରେ ବଞ୍ଚିବେ କି ଜନ ।
ଆସିବେ ବାହୁଡ଼ି ନିଶ୍ଚେ ବିଳମ୍ବ ବା ଖରେ
ବେହିସାବୀ ମର୍ତ୍ତ୍ୟଜନେ ଶିକ୍ଷା ଦେଲା ପରେ ।
ବୃଥା ଅପବ୍ୟୟର ସେ ନେବେ ପ୍ରତିଶୋଧ,
ତେବେ ଯାଇ ଶାନ୍ତ ହେବ ଦେବୀଙ୍କର କ୍ରୋଧ ।
ଅପବ୍ୟୟ ଅତିବ୍ୟୟ ଛାଡ଼ି ଲୋକମାନେ-
ମିତବ୍ୟୟୀ ହେଲେ, ଦେବୀ ଫେରିବେ ସ୍ୱସ୍ଥାନେ ।
ଯେ ଦିନ ବୁଝିବେ ଲୋକେ ନିଜର ହୀନସ୍ଥା
କରିବେ ଆୟକୁ ଚାହିଁ ବ୍ୟୟର ବ୍ୟବସ୍ଥା
ଯେଉଁ ଦିନ ଜନେ ପୂର୍ବପୁରୁଷଙ୍କ ପରି,
ଅଳ୍ପରେ ସନ୍ତୁଷ୍ଟ ହେବେ ସହିଷ୍ଣୁତା ଧରି,
ଅଭାବକୁ ଘୃଣା କରି ପୂଜିବେ ତ୍ୟାଗକୁ,
ପ୍ରାଣପଣେ ଆଚରିବେ ସଂଯମ-ଯାଗକୁ,
ସେ ଦିନ ଆସିବେ ନିଶ୍ଚେ ମୁଦ୍ରାଦେବୀ ଫେରି,
ସୁଖୀ ହେବେ ସର୍ବେ ତାଙ୍କ ଚାନ୍ଦମୁଖ ହେରି ।”
ଶୁଣି ହୈମବତୀ ହେଲେ ଅତୀବ ଉଷତ,
ଏହିଠାରୁ ଗୀତ ଶେଷ, ଅଧ୍ୟା ସମାପତ ।
ଅର୍ତନୀତି ସମସ୍ୟା ଏ, ଶୁଣିଲେ କେବଳ,
ମିଳେ ଧର୍ମ-ଅର୍ଥ-କାମ-ମୋକ୍ଷ-ମିଠାଫଳ ।
ପୁଣ୍ୟକାଳ ଆସେ ଦଣ୍ଡକ ପାଇଁ,
ଆଉ ତାହା ଭେଟ ମିଳିବ ନାହିଁ ।
ଏ ବାରୁଣୀ ଯୋଗେ କଲେ ସିନାନ,
ମହାଫଳ ଲାଭ ନିଶ୍ଚୟ ଜାଣ ।
ଜାଗ ହେ ତରୁଣ ଉଠ ହେ ମାତି,
ବଜ୍ରକୁ ସଦର୍ପେ ଦେଖାଅ ଛାତି ।
ଅଶ୍ରୁରେ ମିଶାଇ ରୁଧିର ଧାର,
କର ମାତୃମହୀ-ମାନ ଉଦ୍ଧାର ।
ଡେଣା ନାହିଁ, ତେବେ ଆକାଶେ ଉଡ଼ି,
ଶକ୍ତି ଅଗ୍ନି କଣା ଦିଅ ବିଞ୍ଛୁଡ଼ି ।
ଦେଖାଅ ଜଗତେ ଓଡ଼ିଆ ତେଜ,
ପୂର୍ବପୁରୁଷଙ୍କ ପୌରୁଷ ହେଜ ।
ସନ୍ଦେହ ନ କର ନିଜ ବିକ୍ରମେ,
ସିଂହ ବଂଶରେ କି ଛେଳି ଜନମେ ?
ମହାଶକ୍ତି ପୁତ୍ର ଆମେ ସକଳେ,
ଗଙ୍ଗା ଗୋଦାବରୀ ଜିଣିଲେ ବଳେ ।
ଦେଖ ଆମ ନୃପ ଶ୍ରୀଗଙ୍ଗେଶ୍ୱରେ
ଦେବଜ୍ୟୋତି ଧରି ବୀର ବେଶରେ,
ଆକାଶରେ ଥାଇ ଉତ୍କଳ ସାରା,
ଢାଳନ୍ତି ଶକ୍ତିର ଅନଳ ଧାରା ।
ଦେଖ ପୁଣି ରାଜା ପୁରୁଷୋତ୍ତମ,
କାଞ୍ଚିରଣଜିଣା ନୃପ-ସତ୍ତମ,
ଦେଖାଉଅଛନ୍ତି ଶୁଭ ଶକୁନ,
ଉଠ ଉଠ ମାତି ଉଠ ତରୁଣ !
ତାଙ୍କ ନିଜ ଶକ୍ତି ଆମ ବାହୁରେ,
ରଖିଯାଇଛନ୍ତି ସେ ବୀର ଶୂରେ,
କାହାକୁ ଆମର ଆଶଙ୍କା ଭୟ,
ଶକ୍ତିରେ ସର୍ବତ୍ର ମିଳେ ବିଜୟ ।
ସ୍ୱଭାବେ ତ ଆମେ ଶକ୍ତି ସନ୍ତାନ,
ଶକ୍ତିରେ ଆମକୁ କିଏ ସମାନ,
ଦେଖାଇବା ସେହି ଶକ୍ତି ପ୍ରଭାବ,
ବାଛିନେବା ବିଶ୍ୱେ ନିଜର ଠାବ ।
ମାତୃଭୂମି ମୋର ଉତ୍କଳବର୍ଷ,
ଦିଏ ନିତି ମୋତେ ନୂତନ ହର୍ଷ ।
ମାତୃମହୀ ମୋର ଉତ୍କଳ ଦେଶ,
ମାଆଠାରୁ କରେ ଯତ୍ନ ବିଶେଷ ।
ମାତୃମହୀ ମୋର ଉତ୍କଳ ଧରା,
ସ୍ନେହ ଆଶୀର୍ବାଦେ ତା ହୃଦ ଭରା ।
ଜନ୍ମଭୂମି ମୋର ସ୍ନେହ-ସରିତ,
ପୋଷେ ମୋତେ ଦେଇ ଦେହୁ ଶୋଣିତ ।
ମାତୃମହୀ ମୋର ଉତ୍କଳଖଣ୍ଡ,
ଦୋଷ କ୍ଷମା କରେ ନ ଦିଏ ଦଣ୍ଡ ।
ସୁବର୍ଣ୍ଣ ଉତ୍କଳ ମୋ ମାତୃମହୀ,
ମହିମା ତାହାର ନ ହେବ କହି ।
ମାତୃଭୂମି ମୋର ଦେବୀ ଉତ୍କଳ,
ସଞ୍ଚାରେ ମୋ ଦେହେ ଶକତି ବଳ ।
ସାଧେ ସେ ସଦା ମୋ ମଙ୍ଗଳ ପୁଣି,
ଜନ୍ମେ ଜନ୍ମେ ମୁହିଁ ତା ପାଦେ ଋଣୀ ।
ମାତୃମହୀ ମୋର ଉତ୍କଳ ଦେବୀ,
ଜନେ ଧନ୍ୟ ତାହା ଚରଣ ସେବି ।
ତା’ ପାଦସେବାରେ ଉତ୍ସର୍ଗି ପ୍ରାଣ,
ହେବି ମୁଁ ତାହାର ଯୋଗ୍ୟ ସନ୍ତାନ ।
ସ୍ମରିବି ସତତ ତା ଦୟା ସ୍ନେହ,
ମିଶାଇବି ଶେଷେ ତା ଦେହେ ଦେହ ।
ସେହି ମୋର ତୀର୍ଥ ସେହି ମୋ ସ୍ୱର୍ଗ,
ସେହି ଏକା ପୂଜ୍ୟ ସେହି ଚୌବର୍ଗ ।
(ସମ୍ରାଟ ପଞ୍ଚମଜର୍ଜଙ୍କ ରୌପ୍ୟ ଜୁବୁଲୀ ଉପଲକ୍ଷେ)
କି ଆନନ୍ଦ ମୟ ଶୁଭ ଦିନ ଆଜି,
ବର୍ଷୁଛି ଆନନ୍ଦ- ମଧୁ,
ହସୁଛି ଗଗନ ହସୁଛି ପବନ
ହସୁଛନ୍ତି ଦିଗବଧୂ ।
ହିମାଳୟ ପାଦୁ କୁମାରିକା ଯାଏଁ
ସମଗ୍ର ଭାରତବର୍ଷେ,
ଖେଳି ଯାଉଅଛି ଆନନ୍ଦ ଲହରୀ
ମତ୍ତ ସର୍ବେ ନବବର୍ଷେ,
ଆନନ୍ଦ-ଦୁନ୍ଦୁଭି ବାଜୁଛି ସ୍ୱରଗେ
ଶୁଭେ ଶଙ୍ଖ ହୁଳାହୁଳି
ଧ୍ୱନି ସଙ୍ଗେ ତାର ପ୍ରତିଧ୍ୱନି ମିଶି
ପଡ଼ୁଛି ବିଶ୍ୱେ ଉଚ୍ଛୁଳି ।
ଅମରୀ ସହିତେ ଅପ୍ସରୀଏ ମିଳି
ଧରାଧରି ହୋଇ ହାତ,
ଫିଙ୍ଗୁଛନ୍ତି ମୃଦେ ଧରଣୀ-ମସ୍ତକେ
ସ୍ୱର୍ଗ ସ୍ୱର୍ଣ୍ଣ ପାରିଜାତ ।
ବିଜୁଳି ପତାକା ଧରି ଦେବଶିଶୁ
ଉଲ୍ଲାସେ ହୋଇ ଅଥୟ,
ଗାଉଛନ୍ତି ଜୟ ଶ୍ରୀପଞ୍ଚମ ଜର୍ଜ
ମହାରାଣୀ ମେରୀ ଜୟ ।
ସେ ଶବଦେ ଜାଗି ମର୍ତ୍ତ୍ୟ ଗିରିନଦୀ
ଦେଉଳ ହ୍ରଦନିଚୟ,
ଉଚ୍ଚାରନ୍ତି ଜୟ ଭାରତ-ସମ୍ରାଟ
ଶ୍ରୀପଞ୍ଚମ ଜର୍ଜ ଜୟ ।
ପଞ୍ଚବିଂଶ ବର୍ଷ ରାଜତ୍ୱ ତାଙ୍କର
ହୋଇଗଲା ଶୁଭେ ଗତ,
ସେହି ଉପଲକ୍ଷ୍ୟେ ଜୁବୁଲି ଉତ୍ସବେ
ମାତିଛି ଆଜି ଭାରତ ।
ପ୍ରାଣର ଭାଷାରେ ବିଶ୍ୱପତି-ପଦେ
କରୁଛି ସେ ନିବେଦନ,
ଭାରତ-ସମ୍ରାଟ କରନ୍ତୁ ନିର୍ବିଘ୍ନେ
ଶତବର୍ଷ ରାଜପଣ ।
ହେ ପଞ୍ଚମ ଜର୍ଜ ରାଜ ଚକ୍ରବର୍ତ୍ତୀ
ମହାଯଶା ମହାମନା,
ଘେନି ଦେବ ତବ ପ୍ରିୟ ଭାରତର
ଭକ୍ତ-ପ୍ରୀତି-ସମ୍ବର୍ଦ୍ଧନା ।
ଘେନନ୍ତୁ ମଣିମା ଦୀନ ଉତ୍କଳର
ପ୍ରାଣର ଅଭିନନ୍ଦନ,
ଛିନ୍ନାଙ୍ଗ ସଂଯୋଗ- ଛଳେ ଦୁଃଖିନୀର
ଫେଡ଼ିଣ ଘୋର କଷଣ ।
ନାହିଁ କି ରେ ଆମ ବାହୁରେ ଶକ୍ତି,
ନାହିଁ କି ଆମର ସ୍ୱଦେଶ-ଭକ୍ତି ।
ନାହିଁ କି ଆମର ଦେହରେ ହାଡ଼,
ନାହିଁ କି ରେ ଆମ ବୁଦ୍ଧିରେ ଦାଢ଼ ।
ଅଛି ଯେବେ ତେବେ ଉଠ ସତ୍ୱରେ,
ଲୁଚି ବସ ନାହିଁ ଘରକୋଣରେ ।
ଦୃପ୍ତ ସିଂହ ପରି ଉଠ ଗରଜି,
ଅଳସ ମଉଜ ଭୟ ବରଜି ।
ଉଚ୍ଚାର ଉତ୍କଳ-ମାତାର ଜୟ,
ବୀର ଜାତି ଆମେ କାହାକୁ ଭୟ ?
ଘଟୁ ପଛେ ଯେତେ ବାଧା ବିଷାଦ
ପକାଇବା ନାହିଁ, ପଛକୁ ପାଦ ।
ଆମରି ଏ ଦେଶ ଆମ ପର୍ବତ,
ଆମରି ସାଗର ବିଧି ପ୍ରଦତ୍ତ ।
ଆମ ଦ୍ରବ୍ୟ ଆମେ କରିବା ଭୋଗ,
କାହିଁକି କରିବ କେ ଅଭିଯୋଗ ।
ସହିବା ପଛକେ ଗାଳି, ଡରାଣ,
କେବେ ନ ଛାଡ଼ିବା ଜାତୀୟ ଟାଣ ।
ଆମେ ବେତାଡ଼ିବା ଆମ୍ଭର ପିଢ଼ା,
କାହାକୁ କାହିଁକି ଦାନ୍ତ ନିଫିଡ଼ା ।
ପ୍ରଭୁ ଜଗନ୍ନାଥ ସାହା ଆମର,
ଜଗତରେ ଆଉ କାହାକୁ ଡର ।
ଗରୁଡ଼ର ପ୍ରଭୁ ଯାହାର ବାପ,
କିସ କରିପାରେ ତାହାର ସାପ ।
ସହିଯିବା ସବୁ ମାଡ଼ ଆଘାତ,
ନ ଛୁଇଁବା କାହା ଦେହରେ ହାତ ।
ଗଲେ ପଛେ ଯାଉ ଜୀବନଟା ବି
ଛାଡ଼ିଦେବା ନାହିଁ ନିଜର ଦାବି ।
ବଜ୍ର ବା ଅଗ୍ନିକି ଡରିବା ନାହିଁ,
ହସି ହସି ଦେବା ଛାତି ପତାଇ ।
ନଷ୍ଟ ହେଲା ଦେଶ ନିଶା-ସୁଆଗେ,
ଦ୍ୱୀପାନ୍ତର ତାକୁ କରିବା ଆଗେ ।
ଅଫିମର ଅଛି ବହୁ ଦୁର୍ଗୁଣ,
ତାହା ଯୋଗୁଁ ରୋଗ, ତା’ ଯୋଗୁଁ ଋଣ
ସୁରା-ଅସୁରୀର ମୂର୍ତ୍ତି ତରଳ,
ପ୍ରତ୍ୟକ୍ଷରେ ତାହା ତୀବ୍ର ଗରଳ ।
ଧୂଆଁ-ରୂପୀ ବିଷ ଗଞ୍ଜା ମଦତ,
ଶୋଷେ ସ୍ୱାସ୍ଥ୍ୟ, ଧନ ମାନ, ମହତ ।
ନିଶା ଥିବା ଯ଼ାଏଁ କାହିଁ ମଙ୍ଗଳ,
ତାହା ଯୋଗୁଁ ଫଳେ ସବୁ କୁଫଳ ।
ଗାଇବା ଜାତୀୟ ଗୀତ, ଚୌପଦୀ,
ଚଳାଇବା ଦେଶେ ଜାତୀୟ ଖଦି ।
ସୁଖଭୋଗ ପଛେ ଗାତକୁ ଯାଉ,
ବିଦେଶୀ ଚିଜ ନ ଛୁଇଁବା ଆଉ ।
ନିଜ ଘରୁ ନେଇ ଟଙ୍କା କଉଡ଼ି,
ବିଦେଶେ କାହିଁକି ଦେବା ବିଞ୍ଛୁଡ଼ି ।
ବଢ଼ିବ ତହିଁରେ ବିଦେଶୀ ପେଟ,
ଆମ ମୁଣ୍ଡ ହେବ ତଳକୁ ହେଠ ।
ବୀରବାଳା ଦେବୀ ଭାରତ-କନ୍ୟା,
ନିଜ ଗୁଣେ ହେଲେ ଜଗତେ ଧନ୍ୟା ।
କୋଟି ଧନ୍ୟ ତୁମ୍ଭ ଶକ୍ତି ସାହାସ,
ଦେଖାଇଲ କେତେ ଉଚ୍ଚ ଆଦର୍ଶ ।
ଧନ୍ଦା ଲଗାଇଣ ଜଗତ ନେତ୍ରେ,
ବାହାରି ପଡ଼ିଲ ସମର କ୍ଷେତ୍ରେ ।
ତେଜସ୍ୱିନୀ ତୁମ୍ଭେ ଚଣ୍ଡିକା ପରି,
କେଉଁ ପୁରୁଷ ଗୋ ତୁମ୍ଭଙ୍କୁ ସରି ।
ଛଡ଼ାଇ ପୁରୁଷ ମନୁ ଜଡ଼ତା,
ଶିଖାଇଲ ତାଙ୍କୁ ଦେଶ-ମମତା ।
ଜୟଶ୍ରୀ-ମଣ୍ଡିତ ହୋଇ ସମରେ,
ସ୍ଥାପିଲ ଅମର କୀର୍ତ୍ତି ମଞ୍ଚରେ ।
ଶକ୍ତିସୁତା ତୁମ୍ଭେ ପ୍ରତ୍ୟକ୍ଷେ ଶକ୍ତି,
ଘେନ ମା ପ୍ରାଣର ପବିତ୍ର ଭକ୍ତି ।
ଯେତେ ଦିନ ଥିବ ଓଡ଼ିଆ ଜାତି,
ଅକ୍ଷୟ ତାବତ ତୁମ୍ଭ ସୁଖ୍ୟାତି ।
ଦୀପ୍ତ, ଆଜି ଭଦ୍ରଖର ସୌଭାଗ୍ୟ-ବର୍ତ୍ତିକା,
ଜନ୍ମିଛି ସାଳନ୍ଦୀ କୂଳେ “ସାଳନ୍ଦୀ” ପତ୍ରିକା ।
ସଦ୍ୟଜାତ ଶିଶୁଟିର ମଙ୍ଗଳ ମନାସି,
ଆଶୀର୍ବାଦ କରୁଛନ୍ତି ଦେବେ ସ୍ୱର୍ଗୁ ଆସି ।
ବୃଦ୍ଧି ଲଭୁ ଶିଶୁ ଶୁକ୍ଳ ଶଶିକଳାବତ,
ଦେଖାଉ ବୈଶିଷ୍ଟ୍ୟ, ପ୍ରଜ୍ଞା, ପ୍ରକାଶୁ ମହତ୍ତ୍ୱ ।
ଛାତ୍ରଙ୍କର ହେଉ ବନ୍ଧୁ, ଦକ୍ଷା ଶିକ୍ଷାଦାତ୍ରୀ,
ସଜ୍ଜନ କୁଳର ହେଉ ସ୍ନେହାଦର ପାତ୍ରୀ ।
ହେଉ ତାର ଧର୍ମ ନିତ୍ୟ ନବ ଶିକ୍ଷାଦାନ,
ଦର୍ଶାଇ ମଙ୍ଗଳାଦର୍ଶ ଆକର୍ଷୁ ସମ୍ମାନ ।
ସାଳନ୍ଦୀ ସଲିଳ ସ୍ୱଚ୍ଛ, ମଧୁର ପବିତ୍ର,
ହେଉ ତଥା ପ୍ରଶଂସିତ ଶିଶୁର ଚରିତ୍ର ।
ବ୍ରହ୍ମଚର୍ଯ୍ୟ ଦୀକ୍ଷାଦାନ ହେଉ ତାର ସ୍ୱାର୍ଥ,
ବାଳବ୍ରହ୍ମଚାରୀ ତହିଁ ହେଉନ୍ତୁ କୃତାର୍ଥ ।
ବିତରୁ ସଦୁପଦେଶ ଦିବ୍ୟ ଉପାଦେୟ,
ଶିକ୍ଷାର୍ଥୀର ହେଉ ତାହା ପୁଷ୍ଟିକର ପେୟ ।
ସାଳନ୍ଦୀ ପ୍ରାୟ ସେ କରୁ ଅବ୍ୟାହତ ଗତି,
କର୍ମକ୍ଷେତ୍ରେ କର୍ମୀ ଗଢ଼ୁ ହୋଇ କର୍ମ ଯତି ।
ବଡ଼ ଗଢ଼ି ବଡ଼ ହେଉ, ନିଜ ଶକ୍ତିଦାନେ-
ବଢ଼ାଉ ସମାଜ ଶକ୍ତି, ଦିବ୍ୟ ଅବଧାନେ ।
ହେଉ ତାର ଲକ୍ଷ୍ୟ ଜାତି ଗୌରବ ବର୍ଦ୍ଧନ,
ସାଳନ୍ଦୀର ଲକ୍ଷ୍ୟ ଯଥା ସାଗର ମିଳନ ।
ଗାଉନ୍ତୁ କୋବିଦେ ତାର ବିଜୟ ଗୀତିକା,
ଲଭୁ ଦୀର୍ଘ ପରମାୟୁ “ସାଳନ୍ଦୀ” ପତ୍ରିକା ।
କୁଆଁର ପୂନେଇ ଜହ୍ନ କାଚଥାଳୀ ପରି,
ରୂପା ଜରି ପ୍ରାୟେ ଜ୍ୟୋତି ପଡ଼େ ତହୁଁ ଝରି ।
ଜହ୍ନମାମୁ ପରି କିଏ ସୁନ୍ଦର ସୁଢଳ,
ଶୁଭ୍ରହାସ୍ୟେ କରୁଛି ସେ ଚୌଦିଗ ଉଜ୍ଜ୍ୱଳ ।
ଝରିପଡ଼େ ସେ ହାସ୍ୟରୁ ମଣିମୁକ୍ତାମାନ,
ଶଶାଟିଏ କୋଳେ ବସି ଟେକିଅଛି କାନ ।
ବସିଛି ଲମ୍ବାଇ ଗୋଡ଼ ବୁଢ଼ିଆଣୀ ବୁଢ଼ୀ,
ଅରଟରେ ସୂତା କାଟେ ତାକୁଡ଼ି ତାକୁଡ଼ି ।
ନିଅ ମାମୁ ଚାନ୍ଦ ମୋର ନିଅ କଇଁ ଫୁଲ,
ଚାନ୍ଦ ଖାଇ ଆନନ୍ଦରେ ଝୁଲ ମାମୁଁ ଝୁଲ ।
ଜୁହାର କରୁଛୁଁ ଆମେ କୁମାର କୁମାରୀ,
ଆଶୀର୍ବାଦ କର ମାମୁ ଗଗନ-ବିହାରୀ ।
ତୁମ ଜ୍ୟୋତି ପରି ସଫାକର ଆମ ମନ,
ଜ୍ଞାନ ଦିଅ, ବୁଦ୍ଧି ଦିଅ, ଦିଅ ବିଦ୍ୟାଧନ ।
ତୁମ ପରି କର ହୃଦ ପବିତ୍ର ମଧୁର,
ପ୍ରାଣରେ ଆନନ୍ଦ ଦିଅ ଭୟ କର ଦୂର ।
ଶୁଭଗୁଣ ହେଉ ଆମ ଦେହର ଲାବଣ୍ୟ,
ଏହା ବିନା ଶିଶୁପ୍ରାଣେ କିସ ଭିକ୍ଷା ଅନ୍ୟ ।
କେଡ଼େ ଖୁସିଦିନ ଆଜି କୁଆଁରପୂନେଇ,
ମାଗୁଛୁଁ ମେଲାଣି ଅର୍ଘ୍ୟ ପୁଷ୍ପାଞ୍ଜଳି ଦେଇ ।
ସୁବର୍ଣ୍ଣ-ପିଞ୍ଜର-ଅଙ୍କ-ବିଳାସୀ ବିହଙ୍ଗ,
ବସିଛୁ ମଉନେ କିପାଁ ଭୁଲି କ୍ରୀଡ଼ାରଙ୍ଗ ।
ଭୁଞ୍ଜୁଛୁ ଦୁଗ୍ଧାନ୍ନ, ସର ରଜତ ପାତ୍ରରେ,
ବିବିଧ ମଧୁର ଫଳ ତୋର ଚିତ୍ତ ହରେ ।
ନିର୍ମଳ ଶୀତଳ ଜଳ କରୁ ନିତି ପାନ,
ପାଉଅଛୁ କେତେ ସେବା କେତେ ସନମାନ ।
ଏତେ ଭାଗ୍ୟ ଏତେ ସୁଖ, ତେବେ କାହିଁ ପାଇଁ,
ବସିଛୁ ଶୁଖାଇ ମୁଖ, ମନେ ସୁଖ ନାହିଁ ।
ବୁଝିଲୁ କି ସୌଭାଗ୍ୟର ମୂଲ୍ୟ ବିହଙ୍ଗମ,
ଅତି ସୌଭାଗ୍ୟହିଁ ସିନା ତୋ ପକ୍ଷରେ ଯମ ।
ଚିର ସ୍ୱାଧୀନ ତୁ, ମୁକ୍ତ ଗଗନ ବିହାରୀ,
ସଦାନନ୍ଦମୟ ଜୀବ, ସଦା ସ୍ୱେଚ୍ଛାଚାରୀ ।
ଅପହୃତ ତୋର ସେହି ସ୍ୱାଧୀନତା-ଧନ,
ସେଥିଯୋଗୁଁ ପକ୍ଷିମଣି ବିଷର୍ଣ୍ଣ ତୋ ମନ ।
ହରିଲା ଯେ ତୋ ସମ୍ପଦ, ଅର୍ଜିଲା କି ଯଶ,
ସ୍ୱଭାବ କଠୋର ତାର, ହୃଦୟ ନୀରସ ।
ହରି ସ୍ୱାଧୀନତା, ତୋତେ ଅର୍ପିଲା କଷଣ,
ଗଢ଼ିଲା ତହିଁରେ ନିଜ ବିଳାସ ବ୍ୟସନ ।
ପଚାର ତାହାକୁ ପକ୍ଷୀ, ସ୍ୱର୍ଣ୍ଣ ବନ୍ଦୀଶାଳେ
ରଖିଲେ ସେ ହେବ କିରେ ଖୁସି କେଉଁ କାଳେ
ଆତ୍ମ-ସ୍ୱାଧୀନତା ଦାନେ ଯେ ଚିରକୃପଣ,
ଆନ ସ୍ୱାଧୀନତା କିପାଁ କରେ ସେ ହରଣ ?
ହେଲାଣି ତ ଯା ହେବାର ନ ଭଜି ତୁ ଦୁଃଖେ,
“ନାରାୟଣ ହରି” ଶବ୍ଦ ଘୋଷୁଥାରେ ମୁଖେ ।
ଫେଡିବେ ତୋ କଷଣ ସେ କୃପା ଦାନ କରି,
ଡାକ ପକ୍ଷୀ ବାରମ୍ବାର— “ହର ଦୁଃଖ ହରି” ।
କାହାର ଚିଟଉବାହୀ ଏ କ୍ଷୁଦ୍ର ବିହଙ୍ଗ
“ହଳଦୀବସନ୍ତ” କହେ କାହାକୁ ତୁହାଇ
“ଚିଟଉ ପଢ଼ ଗୋ” ବୋଲି, ଉଲ୍ଲାସ ଭାଷାରେ ।
ପେଷିଛି କି ଦୂତରୁପେ ବସନ୍ତ ଏ ଖଗେ
ଧରଣୀ ସମୀପେ, ଦେଇ ଆଗମନ ବାର୍ତ୍ତା,
ଡାକି ଡାକି ପକ୍ଷିଦୂତ ପଡ଼ିଲାଣି ଥକି,
ତଥାପି ଚେତନା ନାହିଁ ମେଦିନୀ ଦେବୀର,
ହତାଶାର କଶାଘାତେ ତହୁଁ ବିହଙ୍ଗମ
ଉଡ଼ିବୁଲି ବାରମ୍ବାର ଶାଖୁଁ ଶାଖାନ୍ତରେ
କାନପାରେ ବେଳେ ବେଳେ ବସିଯାଇ ମୌନେ,
ମାତ୍ର ଶୁଣେ ନାହିଁ କିଛି, ବଢ଼ିଉଠେ ତହୁଁ
ହତାଶାର ବ୍ୟଥା ବହୁଗୁଣ, ହୋଇ ସୁଦ୍ଧା
ଆଶାଦ୍ୱାରା ପ୍ରତାରିତ ପ୍ରତିଦିନ ପକ୍ଷୀ
ହେଉ ନାହିଁ କ୍ଷାନ୍ତ, ସଦା ଲାଗିଛି ଚେଷ୍ଟାରେ
ଅଖଣ୍ଡ ଅଧ୍ୟବସାୟ ମହାବ୍ରତ ଧରି ।
ସତ୍ୟ ଏ ଧାରଣ ତାର, -ଧରା ତପସ୍ୱିନୀ
ଅଛନ୍ତି ସମାଧିମଗ୍ନ, ତାଙ୍କ ସର୍ବେନ୍ଦ୍ରିୟ
କେନ୍ଦ୍ରୀଭୂତ ଯୋଗଧ୍ୟାନେ, ଭାଙ୍ଗିଲେ ସେ ଧ୍ୟାନ
ଶୁଣିବେ ବିହଙ୍ଗ ଭାଷା, ପଢ଼ିବେ ଚିଟଉ ।
ଅଥବା ଆଣିଛି ପକ୍ଷୀ ବିଶ୍ୱପିତାଙ୍କର
କେବଣ ସତର୍କ ଲେଖ, ଜଗତ ସମୀପେ,
ବିବେକ ଯେସନ, ଆଣି ଆତ୍ମାଠାରୁ ସଦା
ଆଦେଶ ଚିଟାଉ ଶାସି ଦୃପ୍ତ କ୍ଷିପ୍ତ ମନେ
କରେ ତାକୁ ନିୟନ୍ତ୍ରିତ, ସୁପଥେ ଚାଳିତ ।
ଆଶା-ପ୍ରତାରିତ ପକ୍ଷୀ ନ ତେଜେ ଆଶାକୁ,
ଆଶା ମଧ୍ୟ ତାକୁ କେବେ ଛାଡ଼ୁ ନାହିଁ ଲବେ,
ରହିଛନ୍ତି ଦୁହେଁ ସଦା ହୋଇ ଜଡ଼ାଜଡ଼ି,
ସଂସାରୀ ସଂସାର ଯଥା, କିମ୍ବା ଜୀବମାୟା ।
ନିରାଶାରେ ପକ୍ଷୀମଣି, ଗଲାଣି ତ ପଡ଼ି
ମୁହଁ ତୋର କଳା, କିନ୍ତୁ ସେ ନୈରାଶ୍ୟ ମଧ୍ୟେ
ଦେଖୁଛୁ ତୁ ଆଶାମୁଖ, ସହାସ୍ୟ ସୁନ୍ଦର,
ଅତି ସାହସ ଏ, ନୁହେଁ ଦୁଃସାହାସ ତୋର,
ଗୁରୁତର କାର୍ଯ୍ୟେ ସିନା ଅତି ସାହାସୀଏ
ଲଭନ୍ତି ସାଫଲ୍ୟ, ଦୃଢ଼ ଧୈର୍ଯ୍ୟ ସାଧନାରେ,
ବିଫଳତା—ହତୋତ୍ସାହୀ କପାଳ ଲେଖନ ।
ଡାକ ପକ୍ଷୀ, ଯୋଗଭଙ୍ଗା ବିହ୍ୱଳିତ ସ୍ୱରେ
ଫାଲ୍ଗୁନ ଆସିବା ଯାଏଁ, ତାହାରି ପରଶେ
ଭାଙ୍ଗିଯିବ ଯୋଗଧ୍ୟାନ ମହୀ ତାପସୀର,
ପଢ଼ିବ ଆବର ପିକ ତପୋଭଙ୍ଗମନ୍ତ୍ର
ଉଚ୍ଚାଟ ପଞ୍ଚମ ସ୍ୱରେ, ଚେତିବେ ମେଦିନୀ,
ସେକାଳେ ଭେଟିବୁ ନେଇ ଛାମୁରେ ଚିଟଉ
ପାଇବୁ ତୁ ପୁରସ୍କାର ବହୁ ପକ୍ୱ କୋଳି ।
ଗିରିରାଜ-ଜେମା ହର-ପାଟରାଣୀ
ଦୁର୍ଗେ ଦୁଷ୍ଟନିବାରିଣୀ,
ଚାରିଦିନ ପାଇଁ କରିଥିଲ ତୁମ୍ଭେ
ଜ୍ୟୋତିର୍ମୟ ଏ ମେଦିନୀ ।୧।
ସ୍ୱର୍ଗର ଐଶ୍ୱର୍ଯ୍ୟ ମର୍ତ୍ତ୍ୟକୁ ଓହ୍ଲାଇ
ଆଣିଥିଲ ମାହେଶ୍ୱରୀ,
ଜୀବନ୍ତ ଦେବତ୍ୱ, ଶରୀରୀ ଆନନ୍ଦ
ଖେଳୁଥିଲେ ହାତ ଧରି ।୨।
ରୋଗ ଶୋକ ଦୁଃଖ ଦାରିଦ୍ର୍ୟ ବିଷାଦ
ସ୍ୱାର୍ଥ ଆଦି ଭୟେ ଲାଜେ,
ପୃଥ୍ୱୀରୁ ପଳାଇ ଲୁଚିଥିଲେ ଯାଇ
କେବଣ ଅଜଣା ରାଜ୍ୟେ ।୩।
ଆଜି ଦଶହରା ବିଦାୟ ଦିବସ
ବିଷାଦ ଆସୁଛି ମାଡ଼ି,
ମିଳନେ ଆନନ୍ଦ, ବିଦାୟେ ବିଷାଦ
କେଉଁ କାଳେ ନାହିଁ ଛାଡ଼ି ।୪।
କାନ୍ଦୁଛି ଧରଣୀ, କାନ୍ଦେ ତରଙ୍ଗିଣୀ-
ବିଷାଦ-ବାଦ୍ୟ ବଜାଇ,
ବନସ୍ପତି ଜେମା କୁସୁମ ସୁନ୍ଦରୀ
ଦେଉଛି ଲୁହ ଗଡ଼ାଇ ।୫।
କାନ୍ଦୁଛି ଆକାଶ ଦଣ୍ଡକେ ଘଡ଼ିକେ
ଢାଳିଦେଇ ଅଶ୍ରୁଧାରା,
ସାଇଁ ସାଇଁ ସ୍ୱରେ କାନ୍ଦେ ସମୀରଣ
କାନ୍ଦୁଛନ୍ତି ବିଶ୍ୱସାରା ।୬।
ଯାଅ ତେବେ ଦେବି ! ଘେନ ଏ ବିଷାଦ-
ଅଶ୍ରୁବାରି ଉପହାର,
ଆଉ କିସ କିଏ ଦେବାକୁ ଭାଜନ
କିସ ବା ଅଛି କାହାର ।୭।
ଯିବାବେଳେ କିଛି ଦେଇଯାଅ ମାତଃ
ଏତିକି ଶ୍ରୀପଦେ ଅଳି,
ପ୍ରାଚୀନ ଅଦୃଷ୍ଟ ଭାଙ୍ଗି ଉତ୍କଳର
ଗଢ଼ିଦିଅ ନବଭଳି ।୮।
କର୍ମୀ ହୃଦେ ଦିଅ କର୍ମର ପ୍ରେରଣା
ଯୁବକ-ହୃଦୟେ ଶକ୍ତି,
ସାଧାରଣ ହୃଦେ ନବପ୍ରାଣ ଦିଅ
ବୃଦ୍ଧ ମନେ ଦିଅ ଭକ୍ତି ।୯।
ସ୍ୱଭାବ ମଧୁର-- ଶିଶୁକଣ୍ଠେ ଦିଅ
ତୁମ୍ଭରି ମହିମା-ଗୀତି,
ତୁମ୍ଭରି କରୁଣା ଅମୃତ ଧାରାରେ
ଅଭିଷିକ୍ତ ହେଉ କ୍ଷିତି ।୧୦।
କେ କହେ ତୁ ଅସୁନ୍ଦର, ରେ ଜୀର୍ଣ୍ଣକୁଟୀର,
ମୋ ନୟନେ ତୁହି ନିତ୍ୟ ନୂତନ ରୁଚିର ।
ତୁହି ମୋର ରାଜହର୍ମ୍ୟ ଶୋଭାର ବିଭବ,
ଦୈନ୍ୟ-ରତ୍ନେ ମଣ୍ତିତ ତୋ ନଗ୍ନ ଅବୟବ ।
ମୋ ଦି’ଆଖି ନେଇ ଯେବେ ତୋତେ କେଦେଖନ୍ତା,
ବୁଝନ୍ତା ତେବେ ସେ ତୋର ବୈଚିତ୍ର୍ୟ ଶ୍ରେଷ୍ଠତା ।
ଶୂନ୍ୟବେଶେ ସୃଜିଛୁ ଯେ ସୌନ୍ଦର୍ଯ୍ୟ ଉତ୍ସବ,
କୋଟି ରାଜହର୍ମ୍ୟେ ତାହା ଏକାନ୍ତ ଦୁର୍ଲଭ ।
ନ ଥାଉ ପଛକେ ସୂକ୍ଷ୍ମ ଶିଳ୍ପ କମଳର,
ମାତ୍ର ତା ବୈଚିତ୍ର୍ୟେ କିଏ ଭବେ ପଟାନ୍ତର ।
ଉଠେ ତୋର ବଂଶରନ୍ଧ୍ରୁ ଗୀତ ଗୁଣୁଗୁଣୁ,
ଛଣ-ମାଣିକ୍ୟର ଥୋପା ବାଜେ ରୁଣୁଝଣୁ ।
ଚୂର୍ଣ୍ଣଲେପା ଜୀର୍ଣ୍ଣଖୁଣ୍ଟ ଗଠିତ ହୀରକେ,
ବତାଗଣ୍ଠି ରୁଅ ଶ୍ରେଣୀ ଜ୍ୟୋତିରେ ଝଟକେ ।
ବେନି ବାତାୟନ ତୋର ସୁନ୍ଦର ନୟନ,
କବାଟ ତା ନେତ୍ରପତ୍ର ଚାରୁ ଶୋଭାବନ ।
ଗବାକ୍ଷର ଗଜଦଣ୍ଡ ନେତ୍ର ଜ୍ୟୋତିରେଖା,
ବିଶାଳ ବଦନ ପ୍ରାୟ ଦ୍ୱାର ଯାଏ ଦେଖା ।
ଅଳିନ୍ଦର ଚାଳ ତୋର ଉନ୍ନତ ନାସିକା,
ଓଷ୍ଠାଧର ସମତୁଲ ବେନି ଦେହଳିକା ।
ତୁହି ମୋର ଯୋଗାଶ୍ରମ ଅ-ଗିରି ଗହ୍ୱର,
ଯେ କହେ ତୁ ଅସୁନ୍ଦର, ସେହି ଅସୁନ୍ଦର ।
ଯେ ପଛକେ ଯାହା କହୁ ମତ୍ତଗର୍ବେ ମାତି,
ମାତ୍ର ଜୀର୍ଣ୍ଣଗୃହ, ତୁ ମୋ ରାଜପାଟହାତୀ ।
ସହି ଖରା ବର୍ଷା ଶୀତ କୁହୁଡ଼ି ଶିଶିର,
ରଖିଛୁ ବଞ୍ଚାଇ ମୋତେ ମୋ ଜୀର୍ଣ୍ଣକୁଟୀର ।
ଫାଟିଅଛୁ ଠାବେ ଠାବେ, ପଡ଼ିଅଛୁ ଝଡ଼ି,
ତୋ ଦେହେ ସେ ଅଳଙ୍କାର ଶୋଭେ ହରଘଡ଼ି ।
ମୁଁ ଦୀନ, ତୁ ଦୀନମାତା, ମୋ ଦାରିଦ୍ର୍ୟ ଦୁଃଖ,
ବହିଛୁ ଭୂଷଣ ରୂପେ ନ ହୋଇ ବିମୁଖ ।
ରହିଛି ମୋ ବହୁସ୍ମୃତି ତୋ ଅଙ୍କେ ଅଙ୍କିତ,
କେତେ ସଦ୍ୟ ବର୍ତ୍ତମାନ, କେତେ ବା ଅତୀତ ।
କେତେ ମୋର ସଦାଶାର ସାଫଲ୍ୟ-ସୁହାସ,
ବିଷାଦର ଅଗ୍ନିବୋଳା ଖର ତପ୍ତ ଶ୍ୱାସ ।
ଶୂନ୍ୟାୟିତ ଗର୍ଭେ ତୋର ଯାଇଛି ମିଳାଇ,
ଖେଳିବୁଲେ ଲୁଚକାଳି ସେ ସ୍ମୃତିର ଛାଇ ।
ମିଶିଯିବ ଦିନେ ତହିଁ ମୋ ଶେଷ ନିଃଶ୍ୱାସ,
ତୁ ମୋ ଦୀନ ଜୀବନର ଦୀନ ଇତିହାସ ।
ସେବା ତୋର ତପବତ, ସେବା ତୋ ଐଶ୍ୱର୍ଯ୍ୟ,
ସେହି ସେବାଧର୍ମ ତୋର ଅନ୍ତର ସୌନ୍ଦର୍ଯ୍ୟ !
ସେ ଶୋଭା ଯେ ନେତ୍ର ତୁଣ୍ଡେ ପାରି ନାହିଁ ଚାଖି,
ଆଖିବନ୍ତ ହେଲେ ସୁଦ୍ଧା ନାହିଁ ତାର ଆଖି ।
ପୁଣ୍ୟ ଗୋଷ୍ଠାଷ୍ଟମୀ ଆଜି, ମହୋତ୍ସବ ଦିନ,
ଲାଗିଛି ଗୋମାତା ପୂଜା ବିପୁଳ ଆଟୋପେ
ଷୋଡ଼ଶୋପଚାରେ, ଶୁଭ ଆନନ୍ଦ ସୁଦିନ ।
ହସୁଛନ୍ତି ଶସ୍ୟଲକ୍ଷ୍ମୀ କେଦାରେ କେଦାରେ
ପିନ୍ଧି ଶିରେ ସ୍ୱର୍ଣ୍ଣଚୂଡ଼ା ଦିବ୍ୟ ଜ୍ୟୋତିର୍ମୟ,
ଉଲ୍ଲାସର କୋଟି ସ୍ରୋତ ବହେ ପ୍ରାଣେ ପ୍ରାଣେ,
କରୁଛନ୍ତି ପୁଷ୍ପବୃଷ୍ଟି ପ୍ରକୃତି ମସ୍ତକେ
ଶ୍ୟାମାଙ୍ଗୀ ଶାରଦା ଲକ୍ଷ୍ମୀ, ମହିମା-ମଣ୍ଡିତା,
ମାତୃତ୍ୱର ଦେବୀତ୍ୱର କରୁଣା କଣିକା
ପଡ଼ୁଛି ଦୃଷ୍ଟିରୁ ଝରି ମଣି ମୁକ୍ତା ପ୍ରାୟ
ହିମବିନ୍ଦୁ ଛଳେ, ଯଥା ମାତୃ-ଆଶୀର୍ବାଦ ।
ଝରେ ଯେହ୍ନେ ସାରସ୍ୱତ କବି କବିତାରୁ
ପ୍ରାଞ୍ଜଳ ବିଶୁଦ୍ଧ ଭାବ-ଉପମା-ସମ୍ପଦ,
ରାଶି ରାଶି ଅଳଙ୍କାର ରତ୍ନେ ଉର୍ଜ୍ଜସ୍ୱଳ ।
ଫୁଙ୍କୁଅଛି ଶୁଭ ପକ୍ଷୀ ଶଙ୍ଖଚିଲ ଶଙ୍ଖ,
ଦେଉଅଛି ହୁଳାହୁଳି ସାଳନ୍ଦୀ ତଟିନୀ
ମଧୁ ମକରନ୍ଦମୟୀ ଅମନ୍ଦଗାମିନୀ
ମେଘାସନ ଶୈଳ-ଜେମା, ଭଦ୍ରଖ-ଜାହ୍ନବୀ
କୁଳୁକୁଳୁ ସ୍ୱରେ, ପୁଣି ଉଚ୍ଚାରେ ଗମ୍ଭୀରେ-
ଜୟ ଦେବୀ ବିଶ୍ୱବନ୍ଦ୍ୟା ଗୋମାତାର ଜୟ ।
ମିଶି ସେ ପୃଥୁଳ ଶଦ୍ଦ ଗଗନେ ପବନେ
ଯାଉଅଛି ଖରେ ଶୂନ୍ୟେ ମହାଶୂନ୍ୟେ ଉଠି
ମର୍ତ୍ତ୍ୟର ଉତ୍ସବବାର୍ତ୍ତା ଦେବାକୁ ତ୍ରିଦିବେ;
ଶୁଣି ତା ଦୁନ୍ଦୁଭି ନାଦ କରନ୍ତି ଅମରେ ।
ଥାଉନ୍ତୁ ଦେବତା ସ୍ୱର୍ଗେ, ଦେବଭାବ ଘେନି,
ଅଦୃଶ୍ୟ ସେ ଅପ୍ରତ୍ୟକ୍ଷ, ଅରୂପ, ଅଜ୍ଞାତ,
ମାତ୍ର ଯେ ପ୍ରତ୍ୟକ୍ଷେ ସାଧେ ବିଶ୍ୱ ଉପକାର,
ମାନବ ଯା ଦୟା ଭୁଞ୍ଜେ ପ୍ରତି ନିଃଶ୍ୱାସରେ,
ସେ ଏକା ଦେବତା ସିନା ଚିରଦୟାମୟ;
ସେଭଳି ଦେବତା ଏକା ବିଶ୍ୱ ଚରାଚରେ
ଗୋଧନ ବ୍ୟତୀତ କିଏ, ସରୂପ ସଜୀବ,
କ୍ଷୀର ଯାର ପ୍ରାଣପୋଷୀ, ମର୍ତ୍ତ୍ୟରେ ଅମୃତ,
ଯାହାର ଗୋଟିଏ ଲୋମ କୋଟିଏ ଦେବତା,
ନାନା ଭାବେ କରେ ଯେହୁ ବିଶ୍ୱ-ଉପକାର,
ସେ ଗୋମାତା ନରାରାଧ୍ୟା, ନରର ଦେବତା,
ପବିତ୍ର ତାହାରି ମୂତ୍ର, ବିଷ୍ଠା ପାଦୋଦକ,
ତାହାରି ପୂଜକ ଏକା ମର୍ତ୍ତ୍ୟରେ ଅମର,
ବନ୍ଦିତ ତା ପଦ ଧର୍ମ ଶାସ୍ତ୍ର ପୁରାଣର ।
ମଣ୍ଡିଛନ୍ତି ଆଜି ଏହି ଗବାର୍ଚ୍ଚନ ସଭା
ବହୁ ବିଜ୍ଞ ବ୍ୟକ୍ତି, ବହୁ ଧାର୍ମିକପ୍ରବର,
ଉପବିଷ୍ଟ ସଭାପତି ପବିତ୍ର ଆସନେ
ଭୂୟାଁ ଶ୍ରୀ ଭାସ୍କରଚନ୍ଦ୍ର ରାୟବାହାଦୁର
ଭଦ୍ରଖ-ତମିସ୍ର-ନଭ-ଜ୍ୟୋତିଷ୍କ-ଭାସ୍କର
ଦୁଃଖିନୀ ଭଦ୍ରଖମାତା ସୁଯୋଗ୍ୟ ନନ୍ଦନ ।
ଦାନେ ସେ ଶ୍ରାବଣ ଘେନ, ସୌଜନ୍ୟେ ତାପସ;
କିନ୍ତୁ ଶିଷ୍ଟାଚାରେ ସେହୁ ତାଙ୍କରି ଉପମା,
ଧନ୍ୟ ଏବେ ଏ ଭଦ୍ରଖ ତାଙ୍କରି ସକାଶେ,
ପୁଣି ବହୁଭାବେ ଋଣୀ ତାହାଙ୍କ ସମୀପେ ।
ହେଉନ୍ତୁ ସେ ଦୀର୍ଘଜୀବୀ, ଚିର ନିରାମୟ,
ଉଡୁ ତାଙ୍କ କୀର୍ତ୍ତିଧ୍ୱଜା ସ୍ୱଦେଶେ ବିଦେଶେ;
ହେଉ ତାଙ୍କ ପୁଣ୍ୟାବାସ ଚିର ଉତ୍ସବିତ,
ଦୀନା ଭଦ୍ରଖର ଆଜି ଏହି ଆଶୀର୍ବାଦ ।
[ସମ୍ରାଟ ପଞ୍ଚମଜର୍ଜଙ୍କ ସ୍ୱର୍ଗାରୋହଣ ଉପଲକ୍ଷେ]
ଅସ୍ତଗତ ଆହା ବ୍ରିଟିଶ ରବି
ଅକାଳେ ସମ୍ପାତ ଭୀଷଣ ପବି,
ହାହାକାରେ ପୂର୍ଣ୍ଣ ପ୍ରତି ଭବନ
ହାହାକାର ରବେ ବହେ ପବନ,
ଝୁରୁଛି ସାରା ମେଦିନୀ ଯେ
ରବି ଅସ୍ତ ହେଲେ ଝୁରେ ଯଥା ଶୋକେ
ରବିପ୍ରାଣା କମଳିନୀ ଯେ ।
ମହାପ୍ରୟାଣର ଦାରୁଣ ଶୋକ
ଭାରତମାତାର ହୃଦୁ ଆଲୋକ
ନିଭାଇ ଦେଇଛି ବାତ୍ୟା ସମାନ
ଚରାଚର ଆଜି ଶୋକେ ଅଜ୍ଞାନ,
ହା ହା କେଡ଼େ ଦୁର୍ବିପାକ ଯେ
କାନ୍ଦୁଅଛି ବଙ୍ଗ କାନ୍ଦୁଛି ତୈଲଙ୍ଗ
ଉତ୍କଳାଦି ଦେଶଯାକ ଯେ ।
କାନ୍ଦନ୍ତି ଦେଉଳେ ଦେବତାକୁଳ
କାନ୍ଦେ ମହୋଦଧି ଶୋକେ ଆକୁଳ,
କାନ୍ଦୁଛନ୍ତି ନଦନଦୀ ଭୂଧରେ
କାନ୍ଦୁଛି ଚିଲିକା କରୁଣ ସ୍ୱରେ,
ବେଳାରେ ଶିର ପ୍ରହାରି ଯେ
ହା ପଞ୍ଚମ ଜର୍ଜ ରାଜ-ଚକ୍ରବର୍ତ୍ତୀ
ଲହରୀ-ମୃଖେ ଉଚ୍ଚାରି ଯେ ।
ବନେ ଶୁକ ସାରି ଶୋକେ ବିକଳ
ପିତା ଲାଗେ ତାଙ୍କୁ ମଧୁର ଫଳ,
ସ୍ୱଭାବେ ସୁଖଦ ବସନ୍ତ କାଳ
ଗ୍ରୀଷ୍ମେ ପରିଣତ ମହାକରାଳ,
ଧରା ପ୍ରତେ ହୁଏ ମରୁ ଯେ
ଗୋଲାପ ପାଖୁଡ଼ା- ଧାରେ ବିଧି ଆହା
ଛେଦିଦେଲା ମହାତରୁ ଯେ ।
ଯାଙ୍କ ରାଜ୍ୟୁ ରବି ନ ହୁଏ ଅସ୍ତ
ଯାହାଙ୍କ ପ୍ରଭାବେ ଦୁର୍ଜନେ ତ୍ରସ୍ତ,
ସେ ମହାପୁରୁଷ କଲେ ପ୍ରୟାଣ
ହାୟ କି ନିର୍ମମ ବିଧି ବିଧାନ,
ସ୍ମରି ଫାଟିଯାଏ ଛାତି ଯେ
କି ବିଚାରେ ବିଧି ଦିବସେ ଭେଟାଇ
ପଶ୍ଚାତେ ଆଣନ୍ତି ରାତି ଯେ ।
ମହା କର୍ମଯୋଗୀ ପଞ୍ଚମ ଜର୍ଜ
ଆଦର୍ଶ ତୁମ୍ଭର ସୁକର୍ମବ୍ରଜ,
କର୍ମ ସାଧନାରେ ଜୀବନ କ୍ଷୟ
କଲ ତୁମ୍ଭେ ଧନ୍ୟ ହେ ମହାଶୟ,
ତୁମ୍ଭଙ୍କୁ ସେ କର୍ମଚୟ ଯେ
ଚିର ଶାନ୍ତିମୟ ବିଶ୍ୱପିତା ଅଙ୍କେ
ବସାଇଥିବ ନିଶ୍ଚୟ ଯେ ।
ଆହିମଶିଖରୀ କୁମାରୀ କନ୍ୟା
ବହୁଛି ସର୍ବତ୍ର ବିଷାଦ-ବନ୍ୟା,
ଯାହା ପାଇଁ କାନ୍ଦେ ବିଶ୍ୱ ସଂସାର
ଅମର ସେ, କାହିଁ ମୃତ୍ୟୁ ତାହାର,
ମିଥ୍ୟା ନୁହେଁ ଏହି କଥା ଯେ
ମହାମୃତ୍ୟୁ ମଧ୍ୟେ ଅମୃତ ଜୀବନ
ଲଭିଛ ତୁମ୍ଭେ ସର୍ବଥା ଯେ ।
କି ସାଧ୍ୟ ମୃତ୍ୟୁର ହେ ଧର୍ମବୀର
ଛୁଇଁବ ତୁମ୍ଭର ପୁଣ୍ୟ ଶରୀର,
ଶ୍ୱପଚ କି କେବେ ହୋଇ ସାହସୀ
ପୂତ ଯଜ୍ଞାନଳେ ପାରେ ପରଶି,
ଛୁଇଁଲେ ଦୁର୍ଭାଗ୍ୟବଶେ ଯେ
ଲହମାକ ମଧ୍ୟେ ଅସ୍ତିତ୍ୱ ହରାଇ
ପରିଣତ ହେବ ଭସ୍ମେ ଯେ ।
ଯୋଗ-ସିଦ୍ଧ ଯୋଗୀ ଥିଲ ଆପଣେ
ଯୋଗବଳେ ଗଲ ସ୍ୱର୍ଗ ଭୁବନେ,
ଦେବ ମେଳେ ବସି ଭୁଞ୍ଜି ଅମୃତ
କରିଛି ତ୍ରିଦିବେ ସୁ-ଅଳଙ୍କୃତ,
ପ୍ରଭୁ କୃପା-ଅକୂପାର ଯେ
ବଳେ ବଳେ ଯାଚି ଦେଇଛନ୍ତି ତବ
ସୁକର୍ମର ପୁରସ୍କାର ଯେ ।
ଉତ୍କଳକୁ ତୁମ୍ଭେ କଲ ଯା ଦାନ
ରହିଲା ତବ ସେ କୀର୍ତ୍ତି ମହାନ,
ହସ୍ତଶିର ତାର ତୁମ୍ଭ ଆଦେଶେ,
ଯୁକ୍ତ ହେଲା ତାର ଦେହେ ବିଶେଷେ,
ଯୁଗେ ଯୁଗେ ଏ ଉତ୍କଳ ଯେ
ବସାଇ ତୁମ୍ଭଙ୍କୁ ସ୍ମୃତି-ସିଂହାସନେ
ପୂଜିବି ପଦକମଳ ଯେ ।
ଘୋଟିଲା ଗଗନ ବାରିଗର୍ଭ ଘନ
ନାଚେ ବିଜୁ ଘନଘନ,
ଦୁରନ୍ତ ଦାନବ ପ୍ରକାଶିଣ ଗର୍ବ
ତରାଟି ଚାହେଁ ଯେସନ,
ଘୋର ଗର୍ଜନ
ଛଳେ ରଗଡ଼େ ଦଶନ,
ସନସନ ସ୍ୱରେ ବହୁଛି ପ୍ରଖରେ
ଭୀଷଣ ଝଞ୍ଜା ପବନ ।
ବର୍ଷେ ପ୍ରଥମରେ ଟପଟପ ସ୍ୱରେ
ଟୋପା ଟୋପା ହୋଇ ଜଳ,
ତଦନ୍ତେ ଧରାରେ ମୂଷଳ ଧାରାରେ
ବରଷିଲା ଅନର୍ଗଳ,
ଦିଗମଣ୍ତଳ,
ଦିଶିଲେ ମ୍ଳାନ ଧୂମଳ,
ଜଳସ୍ରୋତ ଦାଣ୍ତେ ବହିଯାଏ ଚାଣ୍ତେ
ଗୀତ ଗାଇ କଳକଳ ।
ମୟୂର ଚାତକ ବହିଣ ପୁଲକ
ରଚିଲେ ମହାଉତ୍ସବ,
ଶୁଭିଲା ଉଚ୍ଚାଟ ଡାହୁକ କୁହାଟ
ଭେକ ମକମକ ରବ,
ଝିଙ୍କ ଝଙ୍କାର,
ପ୍ରକଟେ ବନେ ଅପାର,
ଦୃପ୍ତ ଜଳଧର ବର୍ଷେ ନିରନ୍ତର
ସୁଜି ନବ ପାରାବାର ।
ଘୋଟିଲା ଅନ୍ଧାର ଦିଗଙ୍ଗନାବାର
ଟାଣିଲେ ମୁଖେ ଓଢ଼ଣା,
ଅହୋ କି ବିସ୍ମୟ ମଧ୍ୟାହ୍ନ ସମୟ
ସନ୍ଧ୍ୟା ପ୍ରାୟେ ଯାଏ ଜଣା,
ମହାଭୟରେ,
ତରୁଲତା ଅଙ୍ଗ ଥରେ
ବିଦ୍ୟୁଛଳେ ଶାଖୀ ଚାହିଁ ଦେଇ ଆଖି
ବୁଜିଦିଏ ଥରେ ଥରେ ।
ଝରେ ଜଳଧାର ଯେସନେ ସ୍ରଷ୍ଟାର
କରୁଣା ଅମୃତଧାରା,
ପ୍ରକୃତି-ତାପସୀ ପିଏ ତାହା ବସି
ମହାପ୍ରେମେ ଆତ୍ମା ଦ୍ୱାରା,
କିମ୍ୱା ଏସନ,
ବିକଳ୍ପେ ଭାବୁକ ମନ,
ସୁରଭିରୂପିଣୀ ଧନୀ କାଦମ୍ୱିନୀ
କ୍ଷୀର କେ କରେ ଦୋହନ ।
ଅଥବା ଅଗାଧ ଦେବ ଆଶୀର୍ବାଦ-
ଧାରା ବର୍ଷେ ଧରାଶିରେ,
ସେହି ଆଶୀର୍ବାଦେ ଶୁଭେ ଅପ୍ରମାଦେ
ଉପୁଜେ ସ୍ୱର୍ଣ୍ଣ ମହୀରେ,
ହରେ ସେ ଆହା,
ଧରଣୀର ଅନ୍ତର୍ଦାହା,
ହୃଦୟ-ବେଦନା ହୃଦୟୀକୁ ଜଣା
ଆନ କେ ବୁଝିବ ତାହା ।
ତ୍ରିଦିବ ଦ୍ୱିରଦ ପରିମଳମଦ
ବହିପଡ଼େ ମହୀତଳେ,
କୁସୁମ ନିଃଶ୍ୱାସ ଛଳେ ତା ସୁବାସ
ଖେଳିବୁଲେ ଜଳେ ସ୍ଥଳେ,
ନଭ-ଯୋଗୀର,
ଝରେ କି ପ୍ରେମାଶ୍ରୁ ନୀର,
ପୁତ ସେ ଲୋତକ ଯେହ୍ନେ ତୀର୍ଥୋଦକ
ଧରେ ଧରା ପାତି ଶିର ।
ବହୁଶକ୍ତି ମିଳି ହେଲେ ପୃଥୁଳ,
ସାଧିପାରେ ବହୁ କାର୍ଯ୍ୟ ଅତୁଳ ।
କ୍ଷୁଦ୍ର ଉଇକୀଟ ହୋଇ ଏକତ୍ର,
ଗଢ଼ି ପାରନ୍ତି ସେ ମାଟି ପର୍ବତ ।
ଦଳବଦ୍ଧ ହୋଇ ମଧୁମକ୍ଷିକା,
ପୁଷ୍ପଗର୍ଭୁ ଶୋଷି ମଧୁକଣିକା,
ରଚି ମଧୁକୋଷ କରନ୍ତି ଦାନ,
ସାଧନ୍ତି ବିଶ୍ୱର ମହା କଲ୍ୟାଣ ।
ସହଯୋଗର ଏ ଶୁଭ ଆଦର୍ଶ,
ମାନବକୁ କିପାଁ ନ କରେ ସ୍ପର୍ଶ ।
ଅଶକ୍ତ ତହିଁକି ଯେବେ ମାନବ,
କେଉଁ ମୁଖେ ବାଢ଼େ ଜ୍ଞାନ ଗରବ ।
ସହଯୋଗେ ସଭ୍ୟ ଜାତି ସମାଜ,
ଚଳାଉଅଛନ୍ତି ରେଲ ଜାହାଜ ।
ଏଡ଼େ କାମ ହୁଏ ସହଯୋଗରେ,
ଦେଖି ଆଖି ବୁଜି ନ ବସ ଘରେ ।
ସମବାୟ ନୀତି ଧରି ସତତ,
ନିଜର ଅବସ୍ଥା କର ଉନ୍ନତ ।
ଉତ୍ସାହ ଉଦ୍ୟମେ କର ସମ୍ୱଳ,
ଫଳିବ ଭାଗ୍ୟରେ ସୁବର୍ଣ୍ଣ ଫଳ ।
ମାହେନ୍ଦ୍ର ମୁହୂର୍ତ୍ତେ ପାହିଥିଲା ରାତି
ଶୁଭ ସୁପ୍ରଭାତ ଆଜି,
ପ୍ରାଣ-ବୀଣା ଯନ୍ତ୍ରେ ଆନନ୍ଦ-ତନ୍ତ୍ରିକା
ଉଠୁଛି ପଞ୍ଚମେ ବାଜି ।
ଯେ ଦିଗେ ଚାହିଁଲେ ସବୁ ମଧୁମୟ
ହାସ୍ୟମୟ ଦେଶସାରା,
ପ୍ରକୃତି-ଅଧରୁ ବହି ପଡ଼ୁଅଛି
ସୁହାସ୍ୟ ପୀୟୁଷଧାରା ।
ମାତୃଅଙ୍କେ ବସି ପ୍ରାଚୀରାଣୀ-ସୂତା
ହସୁଥିଲା ଆଜି ଉଷା,
ଉପମା ସୃଷ୍ଟିର ଅତୁଳ ଉପମା
ନିଖିଳ-ଲାବଣ୍ୟ-ଭୂଷା ।
ହସି ହସି ରବି ଉଦେ ହେଉଛନ୍ତି
ହସୁଛି ମହାଆକାଶ,
ହସେ ମଧୁ ଋତୁ ମଳୟ ମାରୁତ
ହସୁଅଛି ମଧୁ ମାସ ।
ଫେନଛଳେ ହସେ ମହୋଦଧି, ଚିଲକା
ପିତାପୁତ୍ରୀ ଦୁଇଜଣ,
ବୀଚି-ବାହୁ ଛନ୍ଦି ଉତ୍କଳ ଦେବୀଙ୍କୁ
କରୁଛନ୍ତି ଆଲିଙ୍ଗନ ।
ସ୍ୱତନ୍ତ୍ର ପ୍ରଦେଶ ହେଲା ଏ ଉତ୍କଳ
ବିଚିତ୍ର କଳା-ଆକର
ତେଣୁ ତା ହରଷେ ହରଷ ମିଶାଇ
ହସୁଅଛି ଚରାଚର ।
ନିୟାମ ଶିଖରୀ ଗୁହାମୁଖେ ଶଙ୍ଖ
ବଜାଏ ହରଷେ ଡୁବି
ଡୁବୁଡୁବୁ ନାଦେ ଦୁଡ଼ୁମା ପ୍ରାପାତ
ବଜାଏ ଜୟ-ଦୁନ୍ଦୁଭି ।
କାଦମ୍ୱିନୀକୁଳ ହରଷେ ଉତ୍ଫୁଲ୍ଲ
ଆରୋହି ସମୀର-ଯାନେ,
କହି ବୁଲୁଛନ୍ତି ଏ ଶୁଭ ସମ୍ୱାଦ
ପ୍ରତି ଗିରି କାନେ କାନେ ।
ଏକାମ୍ରକାନନ ନୀଳାଦ୍ରି ମୁକୁଟ
ଉତ୍ତୁଙ୍ଗ ଦେଉଳଦ୍ୱୟ,
ମୌନେ ପରସ୍ପର ହର୍ଷ ସମ୍ଭାଷଣ
କରୁଛନ୍ତି ବିନିମୟ ।
ମର୍ତ୍ତ୍ୟ-ମନ୍ଦାକିନୀ ସୁକାନ୍ତି-ନନ୍ଦିନୀ
ଡାକି କୁଳୁକୁଳୁ ସ୍ୱନେ,
ଋଷିମାଳଜାକୁ ଏ ମଙ୍ଗଳା ବାର୍ତ୍ତା
ଜଣାଉଛି ହୃଷ୍ଟ ମନେ ।
ନବ ଉତ୍କଳରେ ପ୍ରତିକେନ୍ଦ୍ରେ ତାର
ବରେଣ୍ୟ ସନ୍ତାନ ସର୍ବେ,
ମାତିଛନ୍ତି ହର୍ଷେ ଅପୂର୍ବ ଉତ୍ସାହେ
ମାତୃପୂଜା ମହୋତ୍ସବେ ।
ପ୍ରକୃତି ଭୁବନେ ଲାଗିଛି ସାଟୋପେ
ବସନ୍ତ ଉତ୍ସବ ଯାତ୍ରା ।
ବଢ଼ିଯାଇଅଛି ଶୋଭାଲକ୍ଷ୍ମୀଙ୍କର
ନବ ସୁଷମାର ମାତ୍ରା ।
ମିଶିଛି ତହିଁରେ ନବ ଉତ୍କଳର
ଉତ୍ସବ ମହାସମ୍ଭାର
ଏକ ହୋଇଅଛି ଦୁଇଟି ଅପୂର୍ବ
ସୁଷମାର ପାରାବାର ।
କିମ୍ୱା ଫୁଲ ଅଙ୍କେ ନାଚୁଛି ଚନ୍ଦ୍ରିକା
ନିଖିଳ-ଲାବଣ୍ୟ-ଟିକା,
କିବା ଆଲିଙ୍ଗିଛି କୀର୍ତ୍ତିକୁ ମହତ୍ତ୍ୱ
ଜ୍ୟୋତିକୁ ପ୍ରଦୀପ ଶିଖା ।
ଜୟ କୋଳାହଳ ଉଠୁଛି ସଘନେ
ମାତୃଯଜ୍ଞ ମନ୍ତ୍ର ଯଥା,
‘‘ଜୟ ମା ଉତ୍କଳ’’ ସମସ୍ତଙ୍କ ତୁଣ୍ତେ
ଖେଳିବୁଲେ ଏହି କଥା ।
ଚିରସ୍ମରଣୀୟ ଗୌରବ ସୁଦିନ
ଆଜି ଏ ଉତ୍କଳ ଭାଗ୍ୟେ,
ଘେନ ମା ଉତ୍କଳ ଭକ୍ତି-ସମ୍ୱର୍ଦ୍ଧନା
ମାତୃପୂଜା ମହାଯୋଗେ ।
ତୋର ସ୍ୱର୍ଗଗତ କର୍ମିସୁତବୃନ୍ଦ
ଦେଖି ତୋର ଭାଗ୍ୟୋଦୟ,
ଦେବମେଳେ ବସି ଆନନ୍ଦେ ତୋ ନାମେ
ଉଚ୍ଚାରନ୍ତି ଜୟ ଜୟ ।
ତୋ ମଧୁସୂଦନ ତୋର ଗୋପବନ୍ଧୁ
ନୀଳମଣି ବିଦ୍ୟାରତ୍ନ
ଦୁର୍ଭାର କଷଣ ଫେଡ଼ିବାକୁ ତୋର
କଲେ ପ୍ରାଣପଣେ ଯତ୍ନ ।
ହରିହର ଶର୍ମା ନରସିଂହ ଦାସ
ରାଜସୁତ ଗୌରଚନ୍ଦ୍ର,
ତୋ ରଙ୍କୁଣିନିଧି ଗର୍ବଗଣ୍ଠିଧନ
ତୋ ଅନ୍ଧାର-ଘର-ଚନ୍ଦ୍ର,
ଏ ଆଦି ଯେତେକ ଦେବଲୋକବାସୀ
ତୋ ଦେବପୁତ୍ରମଣ୍ତଳୀ,
ତୋ ଚରଣେ ଆଜି ପାରିଜାତ ଫୁଲେ
ଢାଳୁଛନ୍ତି ପୁଷ୍ପାଞ୍ଜଳି ।
କ୍ୱେଟା ଭୂମିକମ୍ପ ଦୁଃଖ ଗାଇବାକୁ
ଖନି ବାଜିଯାଏ ପାଟି,
ଶୁଣି ସେ ଦୁର୍ଦ୍ଦଶା କରୁଣ କାହଣୀ
ପଥର ବି ଯିବ ଫାଟି ।
ରାତି ଅଧବେଳେ ଭୂମିକମ୍ପ ହେଲା
ଶୋଇଥିଲେ ଲୋକ ଘରେ,
କିଏ ଜାଣିଥିଲା ସୁଖଶେଯ ତାଙ୍କ
ମୃତ୍ୟୁଶେଯ ହେବ ଖରେ ।
ଲହମାକ ମଧ୍ୟେ ଘରଦ୍ୱାର ଭାଙ୍ଗି
ପଡ଼ିଲା କୁଢ଼ାଇ ହୋଇ,
ଛାତ, କାନ୍ଥ ତଳେ ପୋତି ହୋଇ ମଲେ
ଥିଲେ ଯେତେ ଘରେ ଶୋଇ ।
ବଞ୍ଚି ରହିଲେ ଯେ ମଲାଠାରୁ ବଳି
ଭୁଞ୍ଜୁଛନ୍ତି ସେ ଯନ୍ତ୍ରଣା,
କେହି ବିକଳାଙ୍ଗ କେହି ଅକର୍ମଣ୍ୟ
କେତେ ଅନ୍ଧ ଛୋଟା କଣା ।
ଖାଇବାକୁ ଦାନା ପିନ୍ଧିବାକୁ କନା
ମୁଣ୍ତ ଗୁଞ୍ଜିବାକୁ ଠାବ,
ନାହିଁ ତାହାଙ୍କର କାନ୍ଦନ୍ତି ସକଳେ
କରି ହାହାକାର ରାବ ।
ଭୋକେ ଶୋଷେ ପୁଣି ଖରା ବରଷାରେ
ହେଉଛନ୍ତି ଛଟପଟ,
ଗୃହ ପରିବାର ସମ୍ପଦ ହରାଇ
ଭୁଞ୍ଜନ୍ତି ଘୋର ସଙ୍କଟ ।
ଦେଖିଲେ ସେ ଦୃଶ୍ୟ ମହାନିଷ୍ଠୁରର
ତରଳିଯିବ ହୃଦୟ,
ଦୁଃଖୀ ବିପନ୍ନର ଦୁଃଖ ହରିବାକୁ
ହେବ ସେ ନିଶ୍ଚେ ସଦୟ ।
କ୍ଷୁଧାତୁର ତୁଣ୍ତେ ଅନ୍ନଦାନ ପୁଣି
ତୃଷାର୍ତ୍ତ ମୁଖରେ ଜଳ,
ଦିଏ ଯେ ସେ ସିନା ଲଭେ ଆୟୁ, ଯଶ
କୋଟି ତପ ଯଜ୍ଞ ଫଳ ।
ତାଙ୍କରି ସାହାଯ୍ୟ ପାଣ୍ଠି ପାଇଁ ଆମ୍ଭେ
ଦ୍ୱାରେ ଦ୍ୱାରେ ବୁଲି ବୁଲି,
ମାଗୁଅଛୁଁ ଭିକ୍ଷା ଧନୀ ଦୀନ ପାଶେ
କାନ୍ଧେ ଧରି ଭିକ୍ଷା ଝୁଲି ।
ଶକ୍ତି ଅନୁସାରେ ଯେ ବା ଯାହା ଦେବେ
କରିବୁଁ ତାହା ଗ୍ରହଣ,
ଫେରିଯିବୁଁ ହର୍ଷେ ଦାତାଙ୍କ ନାମରେ
କରି ଜୟ ଉଚ୍ଚାରଣ ।
ଅହୋ, କି ପ୍ରଚଣ୍ତ ତାପ ମାର୍ତ୍ତଣ୍ତ ରଶ୍ମିର,
ଋତୁ-ବାଘ ନିଦାଘର ରୁଷ୍ଟ ଚକ୍ଷୁ ପ୍ରାୟ
ଭାସ୍କର ମଣ୍ତଳ, ବର୍ଷେ ଯେହ୍ନେ ବହ୍ନିଧାରା
ବିଶ୍ୱ ଅସମ୍ଭାଳ, ଆଶୁ ମୃତ୍ୟୁଶଙ୍କାପ୍ରଦ ।
କି ଭୀଷଣ, କି ପ୍ରଖର ପ୍ରାଣ-ପରିଶୋଷୀ
ମଧ୍ୟାହ୍ନ ରୌଦ୍ରର ତେଜ, ପ୍ରତେ ହୁଏ ଯେହ୍ନେ
କୋଟି କୋଟି ସୁଶାଣିତ ତୀକ୍ଷ୍ଣ ଅଗ୍ନିଶର
ପଶିଯାଏ ଦେହେ ଆସି ଟପ୍ଟାପ୍ ହୋଇ ।
ସେ ବିଷାକ୍ତ ବାଣ ଭେଦି ଶରୀରୀ ଶରୀର
ଜାଳିଦିଏ ପ୍ରାଣେ, ପଶି ପ୍ରାଣ ଅନ୍ତସ୍ତଳେ ।
ଉଡ଼ିଯାଏ ସେ ଉତ୍ତାପେ ମସ୍ତିଷ୍କର ସାର
ବାସ୍ପାକାରେ, ଲଭେ ପ୍ରାଣୀ ଜୀବନ୍ମୃତ ଦଶା ।
ସତେ କି ଆକାଶେ ଉଠି ପ୍ରଳୟ ଭାସ୍କର
ଦହିବାକୁ ସମୁଦ୍ୟତ ଅବନୀମଣ୍ତଳ ।
କି ଉତ୍କଟ ଗୁଳୁଗୁଳି, ହେଉଛି ଉଷେଇଁ
ଦେହ ତହିଁ, ଦୁର୍ବିଷହ ତାହା, କିଜାଣି ବା
ଖଣ୍ତ ଖଣ୍ତ ହୋଇ ପିଣ୍ତ ପଡ଼ିବ ମିଳାଇ,
ପ୍ରଭୁଠାରୁ ବଳେ ସିନା ଭୃତ୍ୟର ପ୍ରତାପ ।
ନୀରବ ନିସ୍ତବ୍ଧ ପଲ୍ଲୀ, ନିସ୍ତବ୍ଧ ପାଦପେ
ନିର୍ବାକ ବିହଙ୍ଗକୁଳ, ସତେ ଯେହ୍ନେ ସୃଷ୍ଟି
ଗଲାଣି ପ୍ରଳୟ ହୋଇ, ଏ ଦୃଶ୍ୟ ପ୍ରକୃତି
ପ୍ରେତମୂର୍ତ୍ତି ପରା ତାର, ଆଭାସେ ଏସନ ।
ସୁପ୍ରଖର ଯଜ୍ଞାନଳ ମଧ୍ୟେ ତପୋରତା
ଉତ୍କଳ ଜନନୀ, ଦେବୀ, ଚିର ତପସ୍ୱିନୀ
ଜ୍ୟୋତିର୍ମୟରୂପେ, ଜ୍ୟୋତି-କିରୀଟ-ଧାରିଣୀ ।
ମାତଃ, ଏହି ସୁକଠୋର ତପଫଳେ ତବ
ମିଶିବ ନିଶ୍ଚୟ ଆସି, ନିଶ୍ଚୟ ନିଶ୍ଚୟ
ଅବଶିଷ୍ଟ ଛିନ୍ନ ଅଂଶ ତୁମ୍ଭରି ଶରୀରେ,
ହସିବ ପୂର୍ଣ୍ଣାଙ୍ଗ ଲଭି ତୁମ୍ଭେ ମହୋଲ୍ଲାସେ ।
ଫଳିବ ସୌଭାଗ୍ୟେ ତବ ଏହି ଶୁଭଫଳ
ଅଦୂର ଭବିଷ୍ୟେ, ଏକ ସ୍ମରଣୀୟ ଦିନେ,
ହୃତଶକ୍ତି ଲଭି ତୁମ୍ଭେ ହେବ ଦମ୍ଭେ ଠିଆ
ଜଗତ ସମକ୍ଷେ, ସତ୍ୟ, ସ୍ୱପ୍ନ ନୁହେଁ ଏହା,
ଯେଣୁ ନାହିଁ ବିଫଳତା ତପସ୍ୟାରେ ତବ ।
କି ଭାଷାରେ ଅନୁଜରେ ଗାଇବି ତୋ ଗୁଣ
[ମାନବ-ଦୁର୍ଲଭ ତାହା ଅମର-ବାଞ୍ଛିତ]
କାହିଁ ତୋର ପ୍ରଂଶସାର ଉପଯୁକ୍ତ ଭାଷା ?
ଆତ୍ମାସୁଖେ ଭାଇ ତୁହି ସତତ ଶୟାଳୁ
ଉଦାସୀନ ପ୍ରାୟ, ଛାଡ଼ି ଆତ୍ମୋନ୍ନତି ପଥ
ପୁଣି ନ ଚାହିଁ ଦେହକୁ, ଥାଉ ଅବିରତ
ରତ ମୋ ସୁଖ ବର୍ଦ୍ଧନେ, ଜାଗି ମୋ ସେବାରେ !
ଅଦ୍ଭୁତ ତ୍ୟାଗ ସ୍ୱୀକାର ଦେଖି ମୁଁ ତୋହର
ଲଭେ ବିସ୍ମୟ ଅପାର, ମଣେ କିବା ତୁହି
ବିଧାତାର ମୋହ ପ୍ରତି କୃପା ମହାଦାନ;
ଅଥବା ତୁ ପୂର୍ବକୃତ ତପ ଫଳ ମୋର
ଧରି ନରରୂପ, ଆସି ସାଧୁ ମୋ ମଙ୍ଗଳ।
ନ କରି ତୁ ଘୃଣା ବତ୍ସ, ଅଦୃଷ୍ଟ-ପ୍ରେରିତ
ରୋଗେ ମୋର, ଲାଗିଥାଉ ଚିକିତ୍ସାରେ ସଦା,
ସମର୍ପିଣ ମନପ୍ରାଣ, ଖାଲି କି ଏତିକି,
ରୋଗଭଗ୍ନ ହୃଦୟର ଅଟୁ ଚିକିତ୍ସକ ।
ଭାଙ୍ଗି ଜୀର୍ଣ୍ଣ ଶୀର୍ଣ୍ଣ ଗୃହେ ସୁବିଜ୍ଞ ବିନ୍ଧାଣି
ଗଢ଼େ ଯଥା ନବହର୍ମ୍ୟ ନବ ଉପାଦାନେ,
ତଥା ତୁ ଅନୁଜ ମୋର ନୈରାଶ୍ୟ ଆଳୟେ
ଭାଙ୍ଗିଣ ସାନ୍ତ୍ୱନା ରୂପ ଅୟୋଘନ ଘାତେ
ନିର୍ମାଣୁଛୁ ନିତ୍ୟ ଗୁରୁ ଉନ୍ନତି ମନ୍ଦିର
ଉତ୍ସାହ ଉପକରଣେ, ଅଦମ୍ୟ ଚେଷ୍ଟାରେ ।
ତୋହ ହସ୍ତେ ନ୍ୟସ୍ତ ମୋର ଜୀବନ-କଞ୍ଚିକା,
ରଖିଛୁ ତୁ ଯତ୍ନେ ତାହା ସତର୍କେ ସାଇତି,
ନତୁ ଏ ନଗଣ୍ୟ ହୀନ ଅଗ୍ରଜ ତୋହର,
[ଭାଗ୍ୟଦୋଷେ ଅଭିଶପ୍ତ ଚିର ଜୀବନ୍ମୃତ]
ଯାଆନ୍ତାଣି କେଉଁ କାଳୁ ମାଟିରେ ମିଳାଇ;
ନିର୍ଜୀବେ ଜୀବତ୍ୱ ବାବୁ ଆରୋପିଛୁ ତୁହି ।
ସାର୍ଥକ ସର୍ବଥା ତୋର ସୌମ୍ୟ ସୋମନାଥ,
ନ କଲେ ସେ ସୋମ ଭଲା ବୃଷ୍ଟି ସୁଧାଧାରା
ବଞ୍ଚନ୍ତା ଫୁଟନ୍ତା କି ରେ ନିର୍ମାକ୍ଷୀ କୈରବ,
ସୌରକର ପରିତପ୍ତ କଣ୍ଠଗତ ପ୍ରାଣ ।
ମୋ ଯୋଗୁଁ ତୋ ଅବନତି, ମାତ୍ର ତୋହ ପାଇଁ
ଭୁଞ୍ଜୁଛି ସୁବିଧା ମୁହିଁ ବିବିଧ ବିଧାନେ,
ସ୍ୱଭାବେ କୁଠାର ଲାଗି ପାଦପ ଦୁର୍ବଳ,
ମାତ୍ର ସେ ପାଦପ କରି ନିଜ ତନୁ କ୍ଷୟ,
ବେଣ୍ଟରୂପେ କରେ ସିନା ପ୍ରବଳ ତାହାକୁ ।
ତୋହୋ ଯୋଗେ ଏକା ମୋର କବିତା ସ୍ଫୁରଣ,
କିବା ତୁ କବିତା ଦେବୀ, ଧରି ପୁଂସରୂପ
କରୁଛୁ ସାହାଯ୍ୟ ମୋତେ ଅଯାଚିତ ଭାବେ,
ଅବା ତୁ ମୋ ଇଷ୍ଟଦେବ, ଆସି ଛଦ୍ମବେଶେ
ଅର୍ପୁଅଛୁ ସ୍ନେହେ ମୋତେ ଅନାକାଙ୍କ୍ଷୀ ବର ।
ତୋ ଯୋଗୁଁ ମୁଁ ଭାଗ୍ୟବାନ, ମାତ୍ର ମୋହୋଲାଗି
ଦୁର୍ଭାଗ୍ୟ ତୁ; ହେବାକୁ ମୋ ସେବକ ଲେଖକ
ଏତେ ରେ ଆଗ୍ରହ ତୋର କେଜାଣି କିପାଇଁ ?
ମୋହୋ ତିରସ୍କାରେ ମଣୁ ପୁରସ୍କାର ପ୍ରାୟ ।
ତୁହି ମୋର ଜୀବନର ସୁଖଦୁଃଖଭାଗୀ
କର୍ତ୍ତବ୍ୟେ ମନ୍ତ୍ରଣାଦାତା, ରୋଗଶେଯେ ବସି
ପୁହାଇ ଦେଉଛୁ ରାତି ସେବା ସାନ୍ତ୍ୱନାରେ ।
କି ସଂଯମ କି ସାଧୁତା ତରୁଣ ବୟସେ,
ଚାରିତ୍ର୍ୟ ବଳରେ ତୁହି ଚାରିତ୍ର୍ୟ-ଦୈବତ ।
ଉପେକ୍ଷି ପ୍ରାକୃତ ସୁଖ ବୟସ-ସୁଲଭ,
ମାତିଛୁ ସାହିତ୍ୟମଦେ; ଧନ୍ୟ ତୋ ଜୀବନ;
ଦେଖି ନାହିଁ ତୋହୋ ସମ ବିପଦେ ଅଟଳ,
ଆକ୍ରମେ ବିପଦ ସିନା ପୌରୁଷହୀନକୁ ?
ନୈତିକ ସାହସେ ଧୈର୍ଯ୍ୟେ ତୁହି ତୋହ ପରି ।
କର୍ମ ତୀର୍ଥ, କର୍ମ ବ୍ରତ, କର୍ମହିଁ ଦେବତା,
ଜାଣି ଏହା ଅର୍ପିଅଛୁ କର୍ମପଦେ ପ୍ରାଣ ।
ସର୍ବେ ଏ ସଂସାରେ ସିନା କର୍ମର ପୂଜାରୀ
କି ସ୍ଥାବର କି ଜଙ୍ଗମ, ବହି ନର ଦେହ
ନ ଜାଣେ ଏ ତଥ୍ୟ ଯେହୁ, କେଜାଣି ସେ କିସ ।
ଅନିତ୍ୟ ଏ ଭବ, ଯଦି ଥାଏ କିଛି ଏଥି
ନିତ୍ୟ, ମଙ୍ଗଳ, ମଧୁର, ବିଷଭାଣ୍ଡେ ସୁଧା--
ପ୍ରାୟ, ତେବେ ନୁହେଁ ତାହା କର୍ମୁ ବଳି ଆନ ।
ରେ ସୌଭ୍ରାତ୍ରବର, ତୋର ଉପକାର-ଋଣ,
କେମନ୍ତେ ଶୁଝିବି ଅବା ଏ କ୍ଷୁଦ୍ର ଜୀବନେ,
ଶୋକ ହାହାକାରମୟ ବ୍ୟାଧି-ବିଜୃମ୍ଭିତ ।
ପଢ଼ିଛି ଆର୍ଯ୍ୟ ପୁରାଣେ ସୌଭ୍ରାତ୍ର ଆଖ୍ୟାନ
ରାମାନୁଜ-ଧର୍ମାନୁଜ-ମହାତ୍ମା କୁଳର,
ମାତ୍ର ସେ ସେକାଳ କଥା, ସେ ଶୁଭ ସମୟ,
ଗୌରବଗରିମାବ୍ୟଞ୍ଜୀ ସେ ସୌଭ୍ରାତ୍ର ଯୁଗ
ବିଲୀନ ଅତୀତ ଗର୍ଭେ, ବହୁଛି ଏକାଳେ
ଭ୍ରାତୃବିଚ୍ଛେଦର ରୁଦ୍ର ବାତ୍ୟା ଏ ଭାରତେ ।
ସେ ମହାବାତ୍ୟାର ଘୋର ଭୀମ ସଂଘର୍ଷଣେ
ହେଉଅଛି କେତେ ଗୃହ ଭାଙ୍ଗି ଚୂର୍ଣ୍ଣୀଭୂତ,
କେ କହିବ ସଂଖ୍ୟା ତାର, ସଂଖ୍ୟାତୀତ ସେହୁ
ଦ୍ୱେଷରୋଷପ୍ରଧୂମିତ ଏ ଜଟିଳ ଯୁଗେ,--
ସ୍ୱାର୍ଥ-ହଳାହଳ-ଦିଗ୍ଧ ଏ ଦୁର୍ଭାର କାଳେ,
ତୋପରି ସୌଭ୍ରାତ୍ର-ରତ୍ନ ବିରଳ ହାୟରେ ।
ଅଛି ବୋଲି ତୋ ସମାନ କୋଟିକେ ଗୋଟିଏ,
ନ ଆସେ କଦାପି ମୋର ମନେ ଏ ପ୍ରତୀତି ।
ଘେନ ଆଶୀର୍ବାଦ ବତ୍ସ, ହୋଇ ଦୀର୍ଘଜୀବୀ,
ନିରାମୟେ ବାଣୀତୀର୍ଥେ ନିତ୍ୟ ଅବଗାହି
ପାଳୁଥାଅ ସ୍ୱକର୍ତ୍ତବ୍ୟ ପୂତ ଈଶାଦେଶ,--
ନୋହି ସୁଖ୍ୟାତି ଆଶାୟୀ; ଖ୍ୟାତି କ୍ଷୁଦ୍ର ଅତି
ମାତ୍ର କର୍ତ୍ତବ୍ୟ ମହାନ, ଖ୍ୟାତି ତାର ଦାସୀ,
ବଳେ ବଳେ ଗୋଡ଼ାଏ ସେ ତାହା ପଛେ ପଛେ ।
ସ୍ୱଧର୍ମେ ସ୍ୱଦେଶ ପଦେ ଅଚଳା ଯା ମତି,
ସେହି ଏକା ଜୀବିତାଖ୍ୟ, ପ୍ରକୃତ ମାନବ,
କ୍ଷେପେ ଯେ ଦୁର୍ଲ୍ଲଭ ପୁଣ୍ୟ ମାନବ ଜୀବନ
ଅନର୍ଥକ ହସେ ଖେଳେ ଆଳସ୍ୟ ବିଳାସେ
ପୁଣି ଅନୀତି ଅକର୍ମେ, ସେ ଅସ୍ତିତ୍ୱହୀନ
ସଂସାରେ ଅଜାତ ବୋଲି ବୋଇଲେ ତାହାକୁ
ହେବ ନାହିଁ ଅସଙ୍ଗତ, କିମ୍ବା ଦୋଷାବହ ।
ଶେଷେ ଏ ଜଣାଣ ମୋର ବିଶ୍ୱପତି ପଦେ,
(ଅନନ୍ତ ମଙ୍ଗଳାଧାର ମଙ୍ଗଳ-ନିର୍ଝର)
ତୋ’ପରି ସୌଭାତ୍ରରତ୍ନେ ଦେଉ ସମୁଜ୍ଜ୍ୱଳ
ଉତ୍କଳର ପ୍ରତି ହର୍ମ୍ୟ ଦରିଦ୍ର କୁଟୀର,
ନରପ୍ରାଣେ ସ୍ୱର୍ଗସୁଖ ଭୁଞ୍ଜନ୍ତୁ ସକଳେ,
ସୋଦର-ବିଚ୍ଛେଦ ପାପ ପଳାଉ ତଡ଼ତି,
ବିରାଜୁ ଉତ୍କଳେ ଐକ୍ୟ ମୈତ୍ରୀ ଶାନ୍ତି ଶୁଭ ।
ଯୁବାଅଭିଧାନ ଖୋଜ ତୁହାଇ,
ଭୀରୁତା ଶବଦ ପାଇବ ନାହିଁ ।
ଯୁବା ହୃଦେ ନାହିଁ ଶୀତଳ ଜଳ,
ଜଳେ ତହିଁ ସଦା ରୁଦ୍ର ଅନଳ ।
ତରୁଣ ପକ୍ଷରେ ଅସାଧ୍ୟ କାହିଁ,
ନାହିଁ ପଦ ତାହା କୋଷ୍ଠୀରେ ନାହିଁ ।
ଯୁବକ ଭୟର ଗୁରୁ ଗୋସାଇଁ,
ହସି ହସି ପଡ଼େ ନିଆଁକୁ ଡେଇଁ ।
ତରଳ ବିଜୁଳି ଯୁବକ ରକ୍ତ,
ହାଡ଼ଖଣ୍ଡି ତାର ବଜ୍ରରୁ ଶକ୍ତ।
ସବୁ ଧକା ସହେ ଯୁବକ ଛାତି,
ଯୁବକଟି ଏକା ବାଇଆ ହାତୀ ।
ଅଳ୍ପରେ ଯୁବକ ନୁହେଁ ସନ୍ତୁଷ୍ଟ,
ନିଜ ହାତେ ଗଢ଼େ ନିଜ ଅଦୃଷ୍ଟ ।
ମହାବଳ ବାଘ ଯୁବକ ଏକା,
କାହା ଭ୍ରୂକୁଟିକୁ ନ କରେ ଲେଖା ।
ତରୁଣ ନ କରେ କାହାକୁ ଶଙ୍କା,
ଭାଙ୍ଗିଯିବ ପଛେ ନ ହୁଏ ବଙ୍କା ।
ଯୁବକ ଜାତିର ଦଧୀଚି ଋଷି,
ଜାତି ଲାଗି ମରେ ହୋଇ ସେ ଖୁସି ।
ଉନ୍ନତି-ଉଷାର ଦୀପ୍ତିଅରୁଣ,
ଆଣିପାରେ ଦେଶେ ଏକା ତରୁଣ ।
ଯୁବକ ଅସୀମ ସାହସୀ ତ୍ୟାଗୀ,
ଦେଶ ଲାଗି ପାରେ ହୋଇ ବୈରାଗୀ ।
ନ ଗଣେ ଯୁବକ ଶୋଷେ ବା ଭୋକେ,
ଦେଶଭାଲ ମଣ୍ଡେ ନବ ଅଲୋକେ ।
ଯୁବକ ନିଶ୍ଚୟ ଶକ୍ତିର ଶିଷ୍ୟ,
ଇଚ୍ଛା କଲେ କରି ନ ପାରେ କିସ ।
ବନାଇପାରେ ସେ ସୁନାର ଘର,
କରିପାରେ ନିଜ ଭାଗ୍ୟ ଭାସ୍ୱର
ମରୁଭୂମେ ପାରେ କରି ଫସଲ,
ଗଢ଼ିପାରେ ଶତ ତାଜମହଲ ।
ବନସ୍ତରେ କରିପାରେ ସ୍ଥାପନ,
ରମ୍ୟ ମଣିମୟ ମୟୂରାସନ ।
ସାର୍ଥ କରେ ଯୁବା ନାମ ତାହାର,
ବିଷରୁ ଅମୃତ କରି ବାହାର ।
ନ ଡରେ ତରୁଣ ଦେଖି କୃତାନ୍ତ,
ବ୍ୟାଘ୍ରମୁଖୁଁ ଆଣେ ଉପାଡ଼ି ଦାନ୍ତ ।
ସଙ୍କଟେ ଅଟଳ ଯୁବକ ହିଆ,
ବୀର ତେଜେ ବିଶ୍ୱେ ହୁଏ ସେ ଠିଆ ।
ଯୁବା ଧରେ ଗ୍ରାଷ୍ମ-ମାର୍ତ୍ତଣ୍ଡ-ତେଜ,
କଣ୍ଟାବଣେ ମଣେ କୁସୁମ ଶେଯ ।
ଯୁବକ ଦେଶର ଦୁର୍ଜୟ ଶକ୍ତି,
ଦେଶକାର୍ଯ୍ୟେ ତାର ନୀହିଁ ବିରକ୍ତି ।
ଯୁବକ ହୋଇ ଯେ କୋଣରେ ପଶେ,
ନାରୀଠାରୁ ହୀନ ଭୀରୁ କ୍ଳୀବ ସେ ।
ତେଜ ବୀର୍ଯ୍ୟ ନାହିଁ ଯେଉଁ ଯୁବାର,
ଶାଢ଼ୀ ପିନ୍ଧିବା ତ ଉଚିତ ତା’ର ।
ନୈରାଶ୍ୟ ବକ୍ଷ ଯେ ନ ପାରେ ଫାଡ଼ି,
ଯୁବା ନୁହେଁ ସେଟା ମାଇ ବିରାଡ଼ି ।
ନ ମାରେ ଯେ ଦୁଷ୍ଟ ଗାଲେ ଚାପଡ଼,
ଯୁବକ ନୁହେଁ ସେ ବିନିମାଙ୍କଡ଼ ।
ଯୁବକଟି ଏକା ଜଗତଜିଣା,
ବୀର ହନୁମନ୍ତ ଯୁବକ ସିନା ।
ସବୁ ବାଧା ଜିଣେ ଯୁବା ହୃଦୟ,
ମରଣକୁ ତା’ର ନ ଥାଏ ଭୟ ।
ଗୁରୁତର ଦଣ୍ଡ, କାନ୍ଦ ବୋବାଳି,
ନ ପାରେ ଯୁବକେ ବାଟେ ଓଗାଳି ।
ଖଣ୍ଡାଧାରେ ଯୁବା ଦେଖାଇ ବକ୍ଷ,
ସାଧିନିଏ ନିଜ ଉଦ୍ଦେଶ୍ୟ, ଲକ୍ଷ୍ୟ ।
ଯୁବକ ଜୀବନେ ଖେଳେ ବିଜୁଳି,
ଯୁବକଟି ଏକା ଅଗ୍ନି-ପିତୁଳି ।
ସହି ନ ପାରେ ଯେ ଆଘାତ ମାଡ଼,
ଯୁବକ ନୁହେଁ ସେ ବୃଦ୍ଧ ଅସାଢ଼ ।
ସାଡ଼ାଦିଏ ଶକ୍ତି ଯୁବକ ଡାକେ,
ଡେଇଁ ଯାଏ ସିନ୍ଧୁ ଏକା ହୁମ୍ପାକେ ।
ଅସାଧ୍ୟ ପାଠକୁ ଯୁବକ ପଢ଼େ,
ସ୍ୱଦେଶର ଶୁଭ ଅଦୃଷ୍ଟ ଗଢ଼େ ।
ଯୁବକ ପ୍ରଭାବ ଯେ ଦେଶେ ନାହିଁ,
ସେ ଦେଶର ପୁଣି ଜୀବନ କାହିଁ ।
ଯୁବକ ନ ହୁଏ ବିଳାସୀ ଭୋଗୀ,
ଦେଶ ଲାଗି ହୁଏ ଯୌବନେ ଯୋଗୀ ।
ତୀକ୍ଷ୍ଣ ଖଣ୍ଡଧାର ସତ୍ୟର ରାହା,
ପୁଷ୍ପାସ୍ତୃତ ମଣେ ଯପବକ ତାହା ।
ସଦା ଊର୍ଦ୍ଧ୍ୱଗାମୀ ଯୁବକ ଚିତ୍ତ,
ବହେ ତା ଦେହରେ ସିଂହ ଶୋଣିତ ।
ଯୁବକ କାହିଁରେ ନ ହୁଏ ପଛ,
ଯୁବକ ଜାତିର ବଜ୍ରକବଚ ।
ଦେଶ ଯେତେବେଳେ ପଡ଼େ ବିପାକେ,
ଉଦ୍ଧାର ନିମନ୍ତେ ଯୁବକେ ଡାକେ ।
ତୁଚ୍ଛ ମଣେ ନାହିଁ ଯୁବା କୁଟାକୁ,
ସୁନା ମୁଠା କରେ ମାଟି ମୁଠାକୁ ।
ଅବନତ ନୁହେଁ ଯୁବକ ଶିର,
ଯୁବା ହୋଇପାରେ ଶିବାଜି ବୀର ।
ଆଜି ସମ୍ରାଟଙ୍କ ରାଜ୍ୟାଭିଷେକ,
ହସୁଛି ଉଲ୍ଲାସେ ମହୀ ଅର୍ଦ୍ଧେକ,
ପ୍ରତି ପୁରପଲ୍ଲୀ ପ୍ରତି ନଗରେ,
ଲାଗିଛି ଉତ୍ସବ ସୁ-ଆଡ଼ମ୍ବରେ,
ଦେବେ ଦୁନ୍ଦୁଭି ବଜାନ୍ତି ଯେ,
ପ୍ରତି ହୃଦେ ପ୍ରାଣେ ଖେଳି ବୁଲୁଅଛି
ଉତ୍ସାହ ଆନନ୍ଦ ଶାନ୍ତି ଯେ ।
ବାସି ଫୁଲେ ତେଜି ସୁଷମା ଯଥା,
ଆଶ୍ରାକରେ ସଜ ଫୁଲେ ସର୍ବଥା,
ରାଜଲକ୍ଷ୍ମୀ ତଥା ତେଜି ପ୍ରାଚୀନେ,
ଆଶ୍ରିଲେ ନବୀନେ ଏ ଶୁଭ ଦିନେ,
ପୂର୍ଣ୍ଣିମା ଦିନାନ୍ତ ଛବି ଯେ,
ଧରିଛି ଧରଣୀ ଉଦେ ପୂର୍ଣ୍ଣଚନ୍ଦ୍ର
ଅସ୍ତ ହୋଇଗଲେ ରବି ଯେ ।
ରାଜଭକ୍ତ ପ୍ରଜା ଉତ୍କଳବାସୀ,
ନବ ସମ୍ରାଟଙ୍କ ଶୁଭ ମନାସି,
ଇଷ୍ଟଦେବେ କରି ପୁଷ୍ପେ ମଣ୍ଡନ,
କରନ୍ତି ହରଷେ ପାଦ ପୂଜନ,
ହୋଇ ଏକପ୍ରାଣମନ ଯେ,
କରନ୍ତି ଜଣାଣ ନବୀନ ସମ୍ରାଟ
ଦୀର୍ଘ ଜୀବନ ଯେ ।
ପ୍ରତିଦ୍ୱାରେ ଥୁଆ ସଲିଳେ ମତ୍ସ୍ୟ,
ଶୋଭେ ରମ୍ଭାତରୁ ପୂର୍ଣ୍ଣ କଳସ,
ଦେହଳୀରେ ଝୁଲେ ଫୁଲତୋରଣା,
ଝୁଟିରେ ସୁନ୍ଦର ପୁର ଅଗଣା,
ଦାଣ୍ଡେ ମିଳି ଶିଶୁଚୟ ଯେ,
ଇଚ୍ଚାରନ୍ତି ଉଚ୍ଚେ ଭାରତ ସମ୍ରାଟ
ଜୟ ଷଷ୍ଠ ଜର୍ଜ ଜୟ ଯେ ।
ଗୁହାମୁଖେ ହର୍ଷେ ଗିରିକଳାପ,
କରୁଛନ୍ତି ଜୟଗୀତି ଆଳାପ,
ବିହଙ୍ଗ କାକଳୀ ଛଳେ ବନାଳି,
ଧରୁଅଛି ସେହି ଗୀତର ପାଳି,
ଲତା-ମାତା କୋଳେ ବସି ଯେ
ଭ୍ରମର-ଗୁଞ୍ଜନ- ବ୍ୟାଜେ ବାଇ ବୀଣା
ଗାଏ କୁସୁମ ରୂପସୀ ଯେ ।
ହୁଳାହୁଳୀ ଦେଇ ସର୍ବ ତଟିନୀ
ସିନ୍ଧୁ ରାଜରାଣୀ ଗିରି-ନନ୍ଦିନୀ,
ରଜତ ଶଫରୀ ରଶନା ଚାଳି,
ବାଇ ଘନ ଘନ ଲହରୀ-ତାଳି,
ଆନନ୍ଦେ ହୋଇ ତନ୍ମୟ ଯେ,
ନୀରବ ଛନ୍ଦରେ ଗାଉଛନ୍ତି ସର୍ବେ
ଜୟ ଷଷ୍ଠ ଜର୍ଜ ଜୟ ଯେ ।
ଅଭିଷେକୋତ୍ସବେ ମହା ଉତ୍ସୁକେ,
ମାତିଛନ୍ତି ସର୍ବେ କ୍ରୀଡ଼ାକୌତୁକେ,
ବଜ୍ର ନିର୍ଘୋଷରେ ଫୁଟିଣ ବାଣ,
କରେ ସମ୍ରାଟଙ୍କ ଯଶଶ୍ରୀ ଗାନ,
ଗଗନେ ହେମ ହାବେଳି ଯେ,
ସ୍ୱର୍ଣ୍ଣ ମୀନ ପ୍ରାୟେ ବିବିଧ ଭଙ୍ଗୀରେ
ବୁଲୁଛି ଚଞ୍ଚଳ ଖେଳି ଯେ ।
ଅବସନ୍ତ କାଳେ ପୂର୍ଣ୍ଣବସନ୍ତ,
ବିରାଜେ ହୋଇଣ ଆକାରବନ୍ତ,
ବହିଛି ସୁଷୁମା ମଧୁର ମୂର୍ତ୍ତି,
ମର୍ତ୍ତ୍ୟେ ଅବତୀର୍ଣ୍ଣ ସ୍ୱର୍ଗ ବିଭୂତି,
ମଧୁମୟ ଚରାଚର ଯେ,
ହସୁଛି ଗଗନ ହସୁଛି ପବନ
ହସୁଛି ମହାସାଗର ଯେ ।
ହେ ନବସମ୍ରାଟ ବ୍ରିଟନଶକ୍ତି,
ଘେନ ଉତ୍କଳର ନିର୍ମଳ ଭକ୍ତି,
କୋଟିସୁତେ ତାର ଆନନ୍ଦେ ଅତି,
ଜଗନ୍ନାଥ ପଦେ କରି ପ୍ରଣତି,
କରୁଛନ୍ତି ନିବେଦନ ଯେ,
କରନ୍ତୁ ସମ୍ରାଟ ଷଷ୍ଠ ଜର୍ଜ ସୁଖେ
ବହୁବର୍ଷ ରାଜପଣ ଯେ ।
ନଭେ ଘନରଥେ ଅମରୀଗଣ,
ଗାଉଛନ୍ତି ତୁମ୍ଭ ଅଭିନନ୍ଦନ,
ପାରିଜାତ ଫୁଲ ତୋଳି ଅପ୍ ସରୀ,
ବର୍ଷୁଛନ୍ତି ତବ ମସ୍ତକୋପରି,
ଆନନ୍ଦେ ହୋଇ ଅଥୟ ଯେ,
ଉଚ୍ଚାରୁଅଛନ୍ତି ଭାରତ-ସମ୍ରାଟ
ଜୟ ଷଷ୍ଠ ଜର୍ଜ ଜୟ ଯେ ।
ପଡ଼ୁ ତବ ରାଜ୍ୟେ ସୁଗ୍ରହ ଦୃଷ୍ଟି,
କରନ୍ତୁ ବାରିଦେ ସୁବର୍ଣ୍ଣ ବୃଷ୍ଚି,
ବହୁ ଚିରକାଳ ମଳୟବାୟୁ,
ବଢ଼ୁ ତବ ଯଶ ପ୍ରତିଷ୍ଠା ଆୟୁ
ଶସ୍ୟଲକ୍ଷ୍ମୀ ନିରନ୍ତରେ ଯେ,
ବିସ୍ତାରୁ ସୁହାସ୍ୟ ପରିପୂର୍ଣ୍ଣ ହୋଇ
ପ୍ରତି କେଦାରେ ପ୍ରାନ୍ତରେ ଯେ ।
ରାଜରାଜେଶ୍ୱରୀ ଏଲିଜାବେଥ,
ଉଡ଼ୁ ବିଶ୍ୱେ ତବ ବିଜୟନେତ,
ଯୋଗ୍ୟ ପତିଙ୍କର ଯୋଗ୍ୟ ବନିତା,
କ୍ରେତାରେ ଯେସନ ଶ୍ରୀରାମ ସୀତା,
ସୁଖେ ପତିପତ୍ନୀ ବେନି ଯେ,
ଶତାଧିକ ବର୍ଷ ସାମ୍ରାଜ୍ୟ ପାଳନ
କର ପୁତ୍ର ପୌତ୍ର ଘେନି ଯେ ।
ବହି ବକ୍ଷେ ବେନି ଲକ୍ଷ ଶବ୍ଦ ସୁସମ୍ପଦ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଶବ୍ଦ-ପକ୍ଷପତି,
ବାସନ୍ତୀ ପୂର୍ଣ୍ଣିମାନିଶା ପୂର୍ଣ୍ଣଚନ୍ଦ୍ର ପ୍ରାୟ
ଉତ୍କଳ-ସାହିତ୍ୟ-ନଭ କରେ ଆଲୋକିତ ।
ଉତ୍କଳୀୟ ଶବ୍ଦ-ବୃନ୍ତେ ଫୁଟିଛି ତ୍ରିବିଧ
ପୁଷ୍ପ, ବଙ୍ଗ ହିନ୍ଦୀ ପୁଣି ସମୃଦ୍ଧ ଇଂରାଜୀ,
ଫୁଟେ ଯଥା କାବ୍ୟ-ବୃନ୍ତେ ରସ, ଭାବ, ଅର୍ଥ,
ଚହଟେ ସୌରଭ ତାର ଦିଗଦିଗନ୍ତରେ ।
ଆଘ୍ରାଣି ତା’ ସ୍ତବ୍ଧ ମୁଗ୍ଧ ପାଶ୍ଚାତ୍ୟ ମଣ୍ଡଳ,
(ସମୁନ୍ନତ ଶୁଭାଦର୍ଶେ ଶିକ୍ଷା ସଭ୍ୟତାରେ)
ସମାପ୍ତ ସେ ସପ୍ତଖଣ୍ଡେ, ସପ୍ତ ସିନ୍ଧୁ ସମ
ବିରାଟ ବିଶାଳକାୟ, ବହିଛି ଉଦରେ
ବିବିଧ ରତନ ମୁକ୍ତା, ମାଣିକ୍ୟ ପ୍ରବାଳ,
ମହାର୍ହ ବିଭବ ତାହା ଦିବ୍ୟ ଜ୍ୟୋତିର୍ମୟ ।
ଦେବଭୂମି ଏ ଉତ୍କଳ, ସୁତୀର୍ଥମାଳିନୀ,-
ହେଉ ପଛେ ଦୀନା, ମାତ୍ର ଗୁଣେ ଗରୀୟସୀ,
ତାର ସାରସ୍ୱତ ଶକ୍ତି, ସୂକ୍ଷ୍ମ ପ୍ରତିଭାର
ମାନଦଣ୍ଡ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗ୍ରନ୍ଥ ।
ଦେବୀ ବିଶ୍ୱ-ଭାରତୀଙ୍କ ମହାଦରବାରେ
ଲଭିଛି ଉତ୍କଳ ଭାଷା ଗୌରବ ଆସନ,
ନିରେଖି ଏ ଦୃଶ୍ୟ, ଗର୍ବେ ସ୍ଫୀତ ବକ୍ଷ ଆଜି
ଉତ୍କଳ କୋବିଦକୁଳ ଉଲ୍ଲାସେ ଅଧୀର ।
ଉଠୁଅଛି ଧନ୍ୟବାଦ ଭାଷାକୋଷ ନାମେ
ଜୟଧ୍ୱନି ସହ, ତାର ପୂଣ୍ୟ ପ୍ରତିଧ୍ୱନି
ମିଶି ସେ ଧ୍ୱନିରେ, କରେ ପୃଥୁଳ ତାହାକୁ;
ଅମର ଦୁନ୍ଦୁଭି ବାଜେ ତ୍ରିଦିବେ ତା ନାମେ ।
ପ୍ରହରାଜ ଉପାଧିକ ହେ ଗୋପାଳଚନ୍ଦ୍ର,
କର୍ମଯୋଗୀ ତୁମ୍ଭେ, ଚିର କର୍ମ ଉପାସକ,
ପଞ୍ଚବିଂଶ ବର୍ଷବ୍ୟାପୀ ତୀବ୍ର ଯୋଗବଳେ
ସୃଜିଲ ଯେ ସୁବିରାଟ ଶବ୍ଦ-ହିମାଳୟ,
ହେରି ତାର ତୁଙ୍ଗ ଶୃଙ୍ଗ ବହୁଦୂରୁ ଜନେ
ନମିବେ ସମ୍ଭ୍ରମେ ତାକୁ ଯୋଡ଼ି ବେନି କର ।
ରଚିଗଲ ତୁମ୍ଭେ ନିଜେ ସ୍ମୃତିସ୍ତମ୍ଭ ତବ,
ରହିଲା ତୁମ୍ଭର ମୂର୍ତ୍ତି ତୁମ୍ଭ କର୍ମ ମଧ୍ୟେ
ନେତ୍ରଧାରୀ ଉପମୂର୍ତ୍ତି ନେତ୍ର ମଧ୍ୟେ ଯଥା,
ତୁମ୍ଭର ଏ ଗ୍ରନ୍ଥପୁତ୍ର ରଖିବ ତୁମ୍ଭଙ୍କୁ
ଯୁଗେ ଯୁଗେ କୃତିବର, କରିଣ ଅମର ।
ଉତ୍କଳର ଭବିଷ୍ୟତ ବଂଶଧରଗଣ
ନିର୍ମାଣି ସୁବର୍ଣ୍ଣେ ତବ ସୌମ୍ୟ ଦେବମୂର୍ତ୍ତି,
ପୂଜିବେ ଭକ୍ତିରେ ସ୍ଥାପି ସୁବର୍ଣ୍ଣ ଦେଉଳେ ।
ନ ଚାହିଁ ଶରୀରେ, ପ୍ରାଣେ ଯାହାଙ୍କ ସକାଶେ
କଲ ତୁମ୍ଭେ ଆୟୁକ୍ଷୟ, ସେ କୃତଜ୍ଞ ଜନେ
ବୁଝିବେ ତୁମ୍ଭର ମୂଲ୍ୟ, ମହତ୍ତ୍ୱ ନିଶ୍ଚୟ ।
ତୁମ୍ଭର ଅଦ୍ଭୁତ ଧୈର୍ଯ୍ୟ, ଅସୀମ ସାହସ
ତ୍ୟାଗ, ଦାନ, ସହିଷ୍ଣୁତା, ସଙ୍କଳ୍ପ ଦୃଢ଼ତା,
ଏ ଆଦି ବିଶିଷ୍ଟ ଶୁଭ ସୁଗୁଣନିଚୟେ
କରିଣ ଆଦର୍ଶ, ଧରି ଉଚ୍ଚ ଲକ୍ଷ୍ୟ ତବ
ହେବେ ସର୍ବେ କର୍ମଯୋଗେ ନିରତ ସତତ ।
ଢାଳିବେ ପୟରେ ତବ ଭକ୍ତିପୁଷ୍ପାଞ୍ଜଳି,
ବରେଣ୍ୟ ଅମର ଜ୍ଞାନେ, ଅର୍ପିବେ ଆରତି
ଜାଳି ଶ୍ରଦ୍ଧା ଦୀପାବଳୀ ପ୍ରୀତି ଜ୍ୟୋତିର୍ମୟ,
ଅମର ଯାହାର କୀର୍ତ୍ତି ସେହି ତ ଅମର ।
ମାହେନ୍ଦ୍ର ମୁହୂର୍ତ୍ତେ ଦେବୀ ଉତ୍କଳ ଭାରତୀ
ତୁମ୍ଭ ଭଳି ପୁତ୍ରରତ୍ନ ଲଭିଥିଲେ ଅଙ୍କେ,
ଉଜ୍ଜ୍ୱଳିଲ ମାତୃମୁଖ ତୁମ୍ଭେ ନିଜ ଗୁଣେ ।
ଧରିଥିଲ ଶୁଭକ୍ଷଣେ ହେ ଭାରତୀଶିଷ୍ୟ
ମାତୃପୂଜା ବ୍ରତ, ତାହା ନିର୍ବାହ ନିମନ୍ତେ
ବନ୍ଧା ଦେଲ ବାସଗୃହେ, କି ଅଦ୍ଭୁତ ତ୍ୟାଗ,
ମାତୃପୂଜା ସହ କଲ ତ୍ୟାଗ ପୂଜା ଦେବ,
ଏହା ସିନା ବିଶେଷତ୍ୱ ଉଚ୍ଚ ଆଦର୍ଶର ।
ସାରସ୍ୱତ ପ୍ରତିଭାରେ ମୁଗ୍ଧ ହୋଇ ତବ
ରାଜରାଜେଶ୍ୱର-ମହାମହିମାଭୂଷଣ,
ଅର୍ପିଲେ ତୁମ୍ଭଙ୍କୁ ଉଚ୍ଚ ଗୌରବ ଉପାଧି-
ରାୟବାହାଦୁର, ରତ୍ନ ଜଡ଼ିତ କାଞ୍ଚନେ ।
ଆବର ପିନ୍ଧାଇ ଦେଲେ ମସ୍ତକେ ତୁମ୍ଭର
ଆନ୍ଧ୍ର ଭାରତୀତୀର୍ଥର ବରେଣ୍ୟ ପଣ୍ଡିତେ
ସାହିତ୍ୟ-ବିଶାରଦାଖ୍ୟ ଉପାଧି-ମୁକୁଟ,
ବୁଝନ୍ତି ଗୁଣିକେ ସିନା ଗୁଣର ଗୌରବ ।
ହେ ମହାସାଧକ, କୀର୍ତ୍ତି କି ବର୍ଣ୍ଣିବି ତବ,
ସ୍ମରି ତବ ସୁକଠୋର ଅଖଣ୍ଡ ତପସ୍ୟା
ନତ ହୁଏ ସ୍ୱତଃ ଶିର ପାଦମୂଳେ ତବ,
ଘେନ ମୋର କୃତଜ୍ଞତା, ଭକ୍ତ୍ୟଭିନନ୍ଦନ ।
ଆସ ନବରାଜା ନବୀନ ପ୍ରବାସୀ
ନବବନ୍ଧୁ ନବବର୍ଷ
ବହି ଆଣ ଦେବ ନବବର୍ଷ ସହ
ନବୀନ ଶୁଭ ଆଦର୍ଶ ।
ମଣ୍ଡିଯାଇଅଛି ଋତୁ-ଅଧିରାଜ
ତବ ବିଶ୍ୱ-ରାଜସଭା,
ରଖିଯାଇଅଛି ପଲ୍ଲବେ କୁସୁମେ
ସ୍ୱର୍ଗୀୟ ସୁଷମା ପ୍ରଭା ।
ମାତୃକୋଳେ ବସି ଝୁଲୁଅଛି ବନେ
ବନସ୍ପତି ଜେମା ଫୁଲ,
ସୁନ୍ଦରୀ ସାମ୍ରାଜ୍ୟ- ଚକ୍ରବର୍ତ୍ତିନୀ ସେ
ସେହି ଏକା ତାହା ତୁଲ ।
ବସାଇଅଛନ୍ତି ବିହଙ୍ଗମେ ତବ
ଆଗମନୀ ନହବତ,
ଗୁଣୁ ଗୁଣୁ ସ୍ୱରେ ଗାଉଛି ଭ୍ରମର
ସ୍ୱାଗତ ଗୀତ ଶାଶ୍ୱତ ।
ବିଜେ ହୁଅ ଦେବ, ଘେନି ଏ ବିଶ୍ୱର
ପ୍ରଥମ ଶ୍ରଦ୍ଧା ସମ୍ମାନ,
ତବ ରାଜପଣ କରୁ ଜଗତକୁ
ନବୀନ ସମ୍ପଦ ଦାନ ।
ହେ କାଳ-ଦାୟାଦ, ଖୋଲିଦିଅ ନବ-
ଉନ୍ନତି-ମଣି ମଞ୍ଜୁଷା,
କର ଆନୟନ ହେ ନବ ହାୟନ,
ମଙ୍ଗଳର ନବ ଉଷା ।
ପ୍ରାଣେ ନବ ଆଶା ତୁଣ୍ଡେ ନବ ଭାଷା
ଅର୍ପ ନବ ଭାଗ୍ୟବିଧି,
ହୃଦୟରେ ଦିଅ ସଜୀବ ବିଶ୍ୱାସ
ସାଧନାରେ ଦିଅ ସିଦ୍ଧି ।
ଅତୀତର ବ୍ୟଥା ଅତୀତର କଥା
ନିଅ ମାନସରୁ ହରି,
ଅତୀତ ସାଗରେ ମିଶିଯାଉ ସବୁ
ଅତୀତ ଦୁଃଖ-ଲହରୀ ।
ରଖିଯାଅ କୀର୍ତ୍ତି ଆଜୀବନ ରହି
ନିରତ ମଙ୍ଗଳୋତ୍ସବେ,
କୀର୍ତ୍ତି ହିଁ ଅମୃତ କୀର୍ତ୍ତିବନ୍ତ ଜନ
ଅମର ନିଶ୍ଚେ ଏ ଭବେ ।
(ବର୍ଷା ରଜନୀରେ ଭେକ ପ୍ରଭୃତିଙ୍କର ଆନନ୍ଦ
କୋଳାହଳ ଉପଲକ୍ଷେ ଲିଖିତ)
ଲାଗିଛି ପ୍ରକୃତି ଗୃହେ କି ଉତ୍ସବ ଆଜି,
ବସିଅଛି ନହବତ ଶତ ଶତ ଲକ୍ଷ,
ବାଜୁଛି ବିବିଧ ବାଦ୍ୟ ବିଶୃଙ୍ଖଳ ତାଳେ,
ମାତ୍ର ସେହି ବିଶୃଙ୍ଖଳା, ବେତାଳ ମଧ୍ୟରେ
ମୂର୍ତ୍ତିମତୀ, ପ୍ରାଣବତୀ, ମୁଗ୍ଧ ମଧୁରିମା ।
ସମଧିକ ପ୍ରୀତିପ୍ରଦ, ଆବର ସୁନ୍ଦର
ପଙ୍କ୍ତିବଦ୍ଧ ଉପବନୁ ମୁକ୍ତ ଅରଣ୍ୟାନୀ,
ନୁହେଁ କି କୃତ୍ରିମ ବଳି ନିସର୍ଗ ସୁନ୍ଦର ।
ଭେକ ଶମ୍ବୁକାଦି ସ୍ୱର, ଆହା କି ମଧୁର,
ନାହିଁ ସେ ମାଧୁର୍ଯ୍ୟ ମୋହ ପ୍ରାକୃତ ବାଦିତ୍ରେ,
ପୁଷ୍ପର ଲାଳିମା, ଗନ୍ଧ, ମଧୁ ମକରନ୍ଦ,
ମିଳିବ କାକତରଚୀ ଫୁଲରେ ବା କାହୁଁ ।
ବିବାହ ମଙ୍ଗଳ ଲଗ୍ନ ପରା ଆଜି ରାତ୍ରେ--
ସୁକୁମାରୀ ଶେଫାଳିକା-ପ୍ରକୃତି କନ୍ୟାର,
ଦିବାକୀର୍ତ୍ତି ନାରୀ ପ୍ରାୟ ପ୍ରାତେ କାଦମ୍ବିନୀ
ଦେଇଛି କୋଇଲିବୁଡ଼ ଗଳାଇ ତାହାକୁ,
ଶୁଭୁଅଛି ଘନ ଘନ ଭେକ ହୁଳାହୁଳୀ,
ବାଉଛି ମଙ୍ଗଳ ଶଙ୍ଖ ଊର୍ଦ୍ଧ୍ୱେ ଘଡ଼ଘଡ଼ି ।
ଶ୍ୟାମ ସୁଲଳିତ ତନୁ ଶରତ ସହିତେ,
ରକ୍ତବୃନ୍ତ ଶେଫାଳୀର ଲାଗିଛି ବିବାହ,
ଭାରାକ୍ରାନ୍ତ କନ୍ୟାଅଙ୍ଗ ଅଳଙ୍କାର ଭାରେ,
ସଧବା ମଣ୍ଡଳୀ ତୁଲ୍ୟ ଦିଗ୍ବଧୂ ନିକର
ବନ୍ଦାନ୍ତି ସେ କନ୍ୟାବରେ ବିଦ୍ୟୁ-ସ୍ୱର୍ଣ୍ଣଦୀପେ,
ଦେଉଛନ୍ତି କନ୍ୟାମାତା କାନନ ପ୍ରକୃତି,
ନବୀନ ଜାମାତା କରେ ସ୍ୱକନ୍ୟା ସଅଁପି,
ବିହଙ୍ଗ କାକଳି ଛଳେ ନେଉଛନ୍ତି ମାଗି
ଅଲେଳ କନ୍ୟାର ଭାବୀ ଦଶଦୋଷ କ୍ଷମା ।
ଉତ୍ସବ-ମୁଖରା ଆଜି ବର୍ଷା ତମସ୍ୱିନୀ,
ଜାଳୁଛନ୍ତି ଜ୍ୟୋତିରିଙ୍ଗେ ରୁଷୁନି ଆଲୋକ,
ପ୍ରକୃତି ଉତ୍ସବେ ମତ୍ତ, ତେଜି କ୍ଷୁଧା ତୃଷା ।
ଦେଖ ଦେଖ ଊର୍ଦ୍ଧ୍ୱୁ ଜଗଦମ୍ବା ଦୁର୍ଗା
ହେଉଛନ୍ତି ଅବତୀର୍ଣ୍ଣ,
ବିଦାୟ ବାଜଣା ଶୁଭୁଛି ତ୍ରିଦିବୁ
ଗଗନ କରି ବିଦୀର୍ଣ୍ଣ ।
ଭକ୍ତି ଆକର୍ଷିଣୀ ଦଶଭୁଜା ମୂର୍ତ୍ତି
ସୁବର୍ଣ୍ଣ ହୁର୍ଯ୍ୟକ୍ଷେ ବିଜେ,
ଉଛୁଳି ଉଠୁଛି ମହିମା-ମୟୂଖ
ଚାରୁ ଆସ୍ୟ-ସରସିଜେ ।
କରାଉଅଛନ୍ତି ସାଡ଼ମ୍ବରେ ବିଜେ
ଶାରଦୀ ସୁଷମା-ଟିକା,
ବିଞ୍ଚି ବିଞ୍ଚି ପଥେ ଅଞ୍ଜଳି ଅଞ୍ଜଳି
ରଙ୍ଗବୃନ୍ତ ଶେଫାଳିକା ।
ସିଞ୍ଚିଦେଇ ଘନ ଘନ ଘନ ପୁଣ୍ୟ
ଦେବ ତୀର୍ଥବାରି ଶିରେ,
କରେ ଅଭିଷିକ୍ତ ରାଜରାଜେଶ୍ୱରୀ
ଗୌରବିତ ପଦବୀରେ ।
ଗଗନ-ସୁନ୍ଦରୀ- କାଞ୍ଚନ ପ୍ରଦୀପେ
କରୁଛି ମଙ୍ଗଳାଳତି,
ବିହଗ କାକଳି- ଛଳେ ହୁଳାହୁଳୀ
ବିହନ୍ତି ଦିଗାଳି ସତୀ ।
ଅଗାଧ ସଲିଳ ମଧ୍ୟେ କମଳିନୀ
ଆଚରେ କଠୋର ତପ,
ବହିବାକୁ ଶିରେ ବିଶ୍ୱରାଣୀ ପାଦ
ବାନ୍ଧିଛି ଦୃଢ଼ ସଙ୍କଳ୍ପ ।
ଖଟଣୀ ଆଶାରେ ଚାହିଁଛି ଆତୁରେ
ଶ୍ୟାମାଙ୍ଗୀ ଅପରାଜିତା,
ପିଠଉ ପାଣିରେ ଶ୍ୱେତ ଦୂର୍ବାରାଶି
ଲେଖୁଛି ମହୀରେ ଚିତା ।
ମାତୃ ଆଗମନେ ମଧୁର ମାତୃତ୍ୱ
ଫୁଟି ଉଠିଅଛି ଭବେ,
ତଟିନୀ ବକ୍ଷରେ ତରୁଲତା ଦେହେ
କୁସୁମେ ନବପଲ୍ଲବେ ।
ଆସ ମା ଭାରତେ ଭାରତବତ୍ସଳା
ଗିରୀନ୍ଦ୍ର ପ୍ରାଣ ତନୁଜା,
ସଦୟେ ସସ୍ନେହେ କର ମା ଗ୍ରହଣ
ଭକ୍ତଜନ ପ୍ରୀତିପୂଜା ।
ଦାନବଦଳିନୀ ଭାରତର ଦୈନ୍ୟ-
ଅଜ୍ଞାନ-ଦାନବ କଳେ,
ସଂହାର ସମୂଳେ କାଳ ରୂପ ତବ-
କରଶୋଭୀ ମହାଶୂଳେ ।
ଏହି କି କଳିନ୍ଦ କନ୍ୟା ସେ କାଳିନ୍ଦୀ ନଦୀ,
ଯା ସ୍ମରଣେ ସ୍ମୃତି-ସିନ୍ଧୁ ହୋଇ ବିମନ୍ଥିତ
ଭାସିଉଠେ କୋଟି କୋଟି ଅତୀତ ଗିରିମା ।
ଏହି କି ସେ ଯମୁନା, ଯା ତୀର କୁଞ୍ଜବନେ
ବିରଚିଲେ ରାସଲୀଳା ସଙ୍ଗିନୀ ଗହଣେ
ରାଈ ରାଜଜେମାଦେଈ, ନନ୍ଦରାଜ ସୁତ
ରସରାଜ କୃଷ୍ଣସହ, ପ୍ରେମରସେ ମାତି ।
ଯମୁନେ, ସେକାଳେ ତୀରେ ବସିଥିଲା ତୋର
ଅନନ୍ତ ଆନନ୍ଦମେଳା ମହାମହୋତ୍ସବ,
ବାଜି ଉଠୁଥିଲା ପ୍ରେମ ମୋହନ ମୁରଲୀ,
ଶୁଣି ସେହି ଚିତ୍ତୋନ୍ମାଦୀ ଇଚ୍ଚାଟ ସୁସ୍ୱର
ବହୁଥିଲୁ ଉଜାଣି ତୁ ଆତ୍ମହରା ପ୍ରେମେ ।
ଶୁକମୁଖନିଗଦିତ ପୁଣ୍ୟ ପ୍ରେମଶ୍ଳୋକେ
ହେଉଥିଲା ମୁଖରିତ ତୀରବନ ତୋର,
ସେ ଶ୍ଳୋକର ଭାବରସ ଗଭୀର ମଧୁର,
କି ଉଦାର ଅପ୍ରାକୃତ ସେ ପ୍ରେମ ସଙ୍ଗୀତ ।
ସେକାଳେ ଯମୁନେ, ଧରା ହୋଇଥିଲା ସ୍ୱର୍ଗ,
ସ୍ୱର୍ଗ ହୋଇଥିଲା ଧରା, କିମ୍ବା ହୋଇଥିଲା
ଧରା ସ୍ୱର୍ଗ ମିଶି ଏକ, ପ୍ରେମର ମିଳନେ ।
କଲାବେଳେ ଗୋପବାଳା ତୋ ନୀରେ ସିନାନ,
ନିନ୍ଦୁଥିଲା ସେ ସୁଷମା ଘନେ ବିଜଡ଼ିତ
ସ୍ୱର୍ଣ୍ଣାଙ୍ଗୀ ଆଲୋକରାଣୀ ବିଜୁଳି ଉପମା,
ତାଙ୍କ ଦେହ ସଂଲେପିତ କସ୍ତୁରିକା ପଙ୍କେ
ଅବଧି ସୌରଭମୟ କୃଷ୍ଣାଭ ତୋ ନୀର ।
କହ ଲୋ ଯମୁନେ, ଭଲା କହ ସତ୍ୟ କରି,
ବାଜୁଛି ତ ତୋ ପୁଲିନେ ଅଦ୍ୟାପି ମୁରଲୀ,
କରୁଛି ତୋ କର୍ଣ୍ଣେ ଆର୍ଦ୍ର, ମାତ୍ର ଋଷିକନ୍ୟେ,
ହେଉଛି କି ଦୂର ତୋର ଅନ୍ତର ଶୁଷ୍କତା
ତହିଁ ପୂର୍ବ ପରି ? ଏବେ ଅଭାବ ତୋ ପ୍ରାଣେ
ସେ ସମ୍ପଦ, ସେ ଗୌରବ, ସେ ମହାସୌଭାଗ୍ୟ ।
କାହିଁରେ ବା ତଟେଶ୍ୱରି, ନାହିଁ ଲୋ ଅଭାବ ?
ସ୍ୱପ୍ନର ସତ୍ୟତା ନାହିଁ-ସଙ୍ଗୀତର ରୂପ,
ସ୍ୱାଦ ନାହିଁ ସୁଗନ୍ଧର, ଅପୂର୍ଣ୍ଣ ଏ ବିଶ୍ୱ,
ସୌଭାଗ୍ୟ-ଭାସ୍କର ତୋର ଅସ୍ତାଚଳେ ଏବେ ।
ନାହାନ୍ତି ତ କାହ୍ନୁ ଆଉ, ହାୟ ହତଭାଗି,
କି ଗରଜ କାହାର ଲୋ ଦେଖିବ ସେ ତୋତେ,
କାହ୍ନୁ ବିନା ଗୋପଶିରୀ ଯାଇଅଛି ତୁଟି,
କିନ୍ତୁ ତୋ ଅତୀତ ସ୍ମୃତି ଚିର ଅନଶ୍ୱର ।
ଜୀଇବୁ ତୁ ଯେତେ କାଳ, ତେତେ କାଳ ଯାଏଁ
ସେହି ସ୍ମୃତି ହେବ ତୋର ଆଶାର ସଙ୍ଖାଳି ।
କି ସୁନ୍ଦର ତରୁବର ଦିଶୁଛୁ ତୁ ଏବେ
ହୋଇ ଫଳେ ଆନମିତ ଚିନ୍ତାଶୀଳ ଯଥା
ବହୁ ଚିନ୍ତାଭାରାକ୍ରାନ୍ତ ଆଦିବାଶର୍ବରୀ ।
କେତେ ଚିନ୍ତା ପରିପକ୍ୱ, ପିଙ୍ଗଳ, ସୁସ୍ୱାଦ,
କେତେ ଦରପକ୍ୱ, ଅମ୍ଳ, ବର୍ଣ୍ଣେ ଆପିଙ୍ଗଳ,
କେତେ ଅବା ଶୁଷ୍କ ହୋଇ ଲାଗିଥାଏ ବୃନ୍ତେ,
କସିବେଳୁ କେତେ ଝଡ଼ି ହୋଇଯାଏ ମାଟି ।
ନତୁବା ତୁ ବହୁପୋଷୀ, ସ୍ୱୀୟ ରକ୍ତଦାନେ
ପୋଷିଅଛୁ ପୋଷ୍ୟବର୍ଗେ, ଉଦାର ଅନ୍ତରେ,
ସହି ଖରା, ବର୍ଷା, ଶୀତ, ବିବିଧ କଷଣ ।
ବହୁ ସନ୍ତାନର ପିତା ତୁହି ତରୁରାଜ,
ସନ୍ତାନେ ତୋହର କେହି ଦୁଷ୍ଟ, ଅର୍ଦ୍ଧଶିଷ୍ଟ,
କେହି ଚିର ଅକର୍ମଣ୍ୟ, ଆବର କେହିବା
ମଙ୍ଗଳୁ ମଙ୍ଗଳ ଜାତ ପ୍ରାୟ, ତୋହୋପରି,
ଧରନ୍ତି ସେ ପରହିତେ ଜୀବନ, ଶରୀର,
ପୋଷନ୍ତି ସେ ପରପ୍ରାଣ ଆତ୍ମବଳି ଦାନେ ।
କି ଆନନ୍ଦ କି ସନ୍ତୋଷ ଖେଳେ ତୋ ହୃଦୟେ
ଜାଣୁ ତୁ ତା ଏକା ଯେଣୁ ସୁପୁତ୍ର ଜନକ,
ପୁତ୍ର ଯଶେ, ପୁତ୍ର ଜ୍ଞାନେ, ପୁତ୍ରର ଗୌରବେ
ନ ମଣେ ଆତ୍ମପ୍ରସାଦ କେବଣ ଜନକ ?
କଳ୍ପତରୁ ସମ ଦାତା ତୁହି ତରୁମଣି,
ନାହିଁ ଶବ୍ଦ ନାହିଁ ତୋର ଦାନ-ଅଭିଧାନେ,
କରୁ ତୁ ସନ୍ତାନ ଦାନ ନିର୍ବିକାର ଚିତ୍ତେ
ଯାଚକ ଅତିଥି ପ୍ରତି, ଦାତାକର୍ଣ୍ଣ ପ୍ରାୟ ।
ହୃଦୟୀ ତୁ ଅଛି ତୋର ପୁଣ୍ୟ ଦେବ ହୃଦ,
ଆତ୍ମଦାନେ ଅକୁଣ୍ଠିତ ଦଧୀଚି ସଙ୍କାଶ
ବିଶ୍ୱହିତେ, ଦୟାକ୍ଷମା ପିଣ୍ଡପ୍ରାଣ ତୋର,
ବିଶ୍ୱରେ ଆଦର୍ଶ ଗୃହୀ, ଆଦର୍ଶ ଯୋଗୀ ତୁ ।
ସ୍ୱାର୍ଥବିଷେ ଆତ୍ମା ଯାର ନୁହେଁ ବିସର୍ପିତ,
ସେବା ଯାର ଏକମାତ୍ର ପ୍ରିୟତମ ବ୍ରତ
ପାତ୍ରାପାତ୍ର ନିର୍ବିଶେଷେ ସେ ସମଦର୍ଶୀର
ପବିତ୍ର ଜୀବନ ଧନ୍ୟ, ଶରୀର ସାର୍ଥକ ।
ପାଦପ, ତୁ ରୂପାନ୍ତର ଦେବତା କି ଋଷି,
ଅଥବା ଏ ବେନିଙ୍କର ମହତ୍ତ୍ୱର ମୂର୍ତ୍ତି,
ପୁଚ୍ଛିବି କାହାକୁ ଏହା, କେ ଦେବ ଉତ୍ତର,
କିଏ ଅବା ଦେଖାଇବ ଅନ୍ଧାରେ ଆଲୋକ,
ପାରୁ ନାହିଁ ଜାଣି ଖାଲି ଉପକାରୀ ଜ୍ଞାନେ
ପ୍ରକାଶୁଛି ହୃଦୟର କୋଟି କୃତଜ୍ଞତା,
ମୌନ ଯତି, ଶିର ଚାଳି କଲେ ତା ଗ୍ରହଣ,
ହେବି ମୁଁ ସାଫଲ୍ୟସିକ୍ତ ଗୌରବେ ଗର୍ବିତ ।
ଭୂତଳେ ଅତୁଳ ଏକା ଅର୍ଥର କ୍ଷମତା,
ଅର୍ଥବଳେ କିଣିହୁଏ ପ୍ରତିଭା ଯୋଗ୍ୟତା ।
କୁରୂପର ରୂପ ଅର୍ଥ, ନିର୍ଗୁଣର ଗୁଣ,
ଗଣାହୁଏ ଅର୍ଥ ହେତୁ ମହାଦ୍ରୁମେ ତୃଣ ।
ଜନ୍ମହୁଣ୍ଡା କାଣ୍ଡଜ୍ଞାନ ଚିରବିବର୍ଜିତ,
କରିଦିଏ ଅର୍ଥ ତାକୁ ଦିଗ୍ଗଜ ପଣ୍ଡିତ ।
ଧନ୍ୟ ତୁ ରେ ଅର୍ଥ, ତୋର ଅଦ୍ଭୁତ କରଣୀ,
ଅଙ୍ଗାରକୁ ସୁନା କରୁ ଛାଇ ଦେଇ ପନି ।
ତୋ କୃପାରେ ପରିଣତ ବ୍ରାହ୍ମଣେ ଶ୍ୱପଚ,
ଦୁର୍ଜନ ଶରୀରେ ତୁହି କୁଳିଶ କବଚ ।
ତୋହର ଯେ କୃପାପାତ୍ର ନାହିଁ ତାର ଭୟ,
ମିଛେ, ପାପେ, ଦୁରାଚାରେ ସର୍ବତ୍ର ତା ଜୟ ।
ଆନୃପଭିକ୍ଷୁକ, ଅର୍ଥ ! କେ ନୁହେଁ ତୋ ବଶ,
ମାତ୍ର ଏକା ଚିତ୍ରପୁପ୍ତ ନ ଗଣେ ତୋ ଯଶ ।
ବଡ଼ ରାଢ଼, ଜଳିଉଠେ ଲାଞ୍ଚ ନାମ ଶୁଣି,
ଯାଚେ ଯେ ତା ପୃଷ୍ଠେ ହାଣେ ନିର୍ଘାତ କହୁଣି ।
ଶୁଣେ ନାହିଁ କାହାର ସେ ସ୍ତୁତି କିମ୍ବା କାକୁ,
ନ କରେ ସେ ଜୁଇଁ ପରି ଆଦର କାହାକୁ ।
ଅର୍ଥୀ କିମ୍ବା ଅର୍ଥହୀନେ ଦଣ୍ଡେ ଦୋଷ ଜାଣି
କାହାକୁ ସେ ନ ସଙ୍ଖୋଳେ ଦେଇ ପିଢ଼ାପାଣି ।
ଚଢ଼ା ପଛେ ଯେତେ ପୁଟ, ଅର୍ଥ ! ପାପି ଦେହେ,
ବାରିଦେବ ପାପୀ ବୋଲି ତାକୁ ସେ ତେବେହେଁ ।
କାର ସାଧ୍ୟ, ଦେବ ଭଲା ଧୂଳି ତାହା ନେତ୍ରେ,
ଭାଙ୍ଗିଦେବ ବାଲିଙ୍ଗି ସେ ପିଟି ଲୌହ ବେତ୍ରେ ।
ନ ଚଳିବ ତାହା କତି କାହାରି ଚାତୁରୀ,
ପଣ୍ଡ ହେବ ଭଣ୍ଡପଣ, ବ୍ୟର୍ଥ ବାହାଦୁରୀ ।
ଚାଟୁକାର ଭୃତ୍ୟେ ତହିଁ ଥିବେ ନାହିଁ ପାଖେ,
କହିବେ ମଣିମା ଛାମୁ କଥାକେ କଥାକେ ।
ଏକା ସେହି ଚିତ୍ରଗୁପ୍ତ ପୟରେ ତୁ ଅର୍ଥ,
ପରାଜିତ ନତଶିର ଅବଜ୍ଞାତ ବ୍ୟର୍ଥ ।
ଅସାଧ୍ୟ ସାଧନଦକ୍ଷା ଦେବୀ ଯୋଗବିଦ୍ୟେ,
ତୁମ୍ଭେ ଏକା ବିଶ୍ୱସ୍ତୁତା ଶକ୍ତି ଭାରତର ।
ସାର ମହାବିଦ୍ୟା ତୁମ୍ଭେ, ଅମର-ନମସ୍ୟା,
ବିଧିଦତ୍ତ ଆଶାତୀତ କୃପା ମହାଦାନ
ଭାରତ ଭାଗ୍ୟରେ ତାର ସୌଭାଗ୍ୟ-ଦେଉଳ
ଜ୍ୟୋତିର୍ମୟ ତବ ହୈମ ଅମୃତଜ୍ୟୋତିରେ ।
ଥିଲା ଯେବେ ଦିନ, ତେବେ ଏ ପୁଣ୍ୟ ଭାରତେ
(ଯୋଗବିଦ୍ୟା, ଯୋଗପ୍ରାଣ-ଯୋଗି-ପ୍ରିୟବାସ)
ଲାଗିଥିଲା ଅହର୍ଯାମୀ ମହାପୂଜା ତବ
ନୀରବ ଉତ୍ସବେ, ବନେ, ପ୍ରାସାଦେ, କୁଟୀରେ ।
ସେ ପୂଜାରୁ ଜନ୍ମୁଥିଲା ଯେଉଁ ମହାଶକ୍ତି
ଦେଖୁଥିଲା ବିଶ୍ୱ ତାକୁ ବିସ୍ମୟ ନେତ୍ରରେ,
ସେହି ଶକ୍ତି ଭାରତର ସବଳ ଜୀବନ,
ସେହି ଶକ୍ତି ଭାରତତ୍ୱ ଥିଲା ଭାରତର ।
ଯୋଗବିଦ୍ୟେ, ଆଧ୍ୟାତ୍ମିକ ରାଜ୍ୟ ଏ ଭାରତ,
ମହିମିତ ଆଧ୍ୟାତ୍ମିକୀ ମହାଶକ୍ତି ବଳେ,
କରିଥିଲା ସେହି ଶକ୍ତି, ସେ ଅଦ୍ଭୁତ ଶକ୍ତି
ଦେବତୀର୍ଥେ ପରିଣତ ଦେବସ୍ତୁତ ତା’କୁ ।
କିନ୍ତୁ ହାୟ, ନାହିଁ ଦେବି, ସେ ଅଦୃଷ୍ଟ ଆଉ
ଭାରତର, ଏବେ ସେହୁ ହତଶ୍ରୀ ଅଶକ୍ତ ।
ହେରି ତା ମହିମା ଆଉ ଚକିତ ନୟନେ
ହେଉ ନାହିଁ ସ୍ତବ୍ଧ ମୁଗ୍ଧ ଏବେ ଏ ଜଗତ,
ଗଲ ତୁମ୍ଭେ ଉପଯୁକ୍ତ ପୂଜକ ଅଭାବେ
ଛାଡ଼ି ଏ ଭାରତେ, ଦେବି, ତବ ସଙ୍ଗେ ସଙ୍ଗେ
ଗଲା ଚାଲି ଭାରତର ଆଧ୍ୟାତ୍ମିକ ଶକ୍ତି,
ହୋଇଗଲା ରୁଦ୍ଧ ତାର ଉନ୍ନତି ପ୍ରବାହ ।
ଆସିବ କି ଫେରି, ଦେବି, ଆସିବ କି ସତେ
ସେ ଅତୀତ ଆର୍ଷଯୁଗ ପରମ-ପାବନ,
ଆସିବ ସେ, ଫେରି ତୁମ୍ଭେ ଆସିଲେ ଜନନୀ,
ଆସ ତେବେ କୃପାମୟି, ଆସ ଆସ ତ୍ୱରା
ଘେନି ଭାରତର ପୁଣ୍ୟ ଅତୀତ ବିଭବ,
ଉନ୍ନତି-ଅମୃତଧାରା ବହୁ କୋଟିମୁଖେ ।
[ଭଦ୍ରଖ ହାଇସ୍କୁଲର ୧୯୩୬ ସାଲ ପୁରସ୍କାର ବିତରଣୀ
ସଭାରେ ଅଭିନୀତ]
(ଆସନୋପରି ଗୁରୁ ଉପବିଷ୍ଟ, ଶିଷ୍ୟର ପ୍ରବେଶ)
ଶିଷ୍ୟ—
ଗୁରୁଦେବ, ଘେନା ହେଉ ସଭକ୍ତି ପ୍ରଣତି
ଅଧମ ଶିଷ୍ୟର, ପଦେ ଏତିକି ମାଗୁଣି ।
ଗୁରୁ---
ହୁଅ ବତ୍ସ ଦୀର୍ଘଜୀବୀ, ଅର୍ଜ ସୁପ୍ରତିଷ୍ଠା
ଧର୍ମେ ଥାଉ ମତି, ଏହି ଆଶୀର୍ବାଦ ମୋର ।
ଶିଷ୍ୟ---
କୃତାର୍ଥ ହେଲି ମୁଁ ଗୁରୋ, ତବ ଆଶୀର୍ବାଦେ,
ଦେବ ଆଶୀର୍ବାଦ ତାହା, ଅତି ମୂଲ୍ୟବାନ ।
ବିହିଲେ ଯେ ଆଶୀର୍ବାଦ ଅତ୍ୟଳ୍ପ କଥାରେ,
ଅଛି ତହିଁ ସର୍ବଶୁଭ ମାନବ-ବାଞ୍ଛିତ,
କ୍ଷୁଦ୍ର ବଟ ବୀଜ ମଧ୍ୟେ ମହାତରୁ ଯଥା
ଥାଏ ଲୁକ୍କାୟିତ, ତଥା ଆଶୀର୍ବାଦ ତବ ।
ପଚାରିବି କିଛି ଆଜି, ଦୟା ବହି ଦେବ
ବିହିବେ ଉତ୍ତର, ମୋର ଏତିକି ମାଗୁଣି ।
ଗୁରୁ---
କହ ବତ୍ସ ପ୍ରଶ୍ନ ତୋର, ଘେନିବୁ କି ସନ୍ଥ,
ପୂର୍ଣ୍ଣ ହେବ ନିଶ୍ଚେ ତୋର ସାଧୁ ମନୋରଥ ।
ଶିଷ୍ୟ---
ବହୁବର୍ଷ ତପଫଳେ ମୋର ମାତୃମହୀ
ଏ ଉତ୍କଳ, ହୋଇଅଛି ସ୍ୱତନ୍ତ୍ର ପ୍ରଦେଶ,
ମିଶିଛି ଗଞ୍ଜାମ ତହିଁ ସୁକବି-ଜନନୀ,
ଦୟା ବହି ବଖାଣନ୍ତୁ ଗଞ୍ଜାମ ବୃତ୍ତାନ୍ତ,
ବଳବତୀ ଇଚ୍ଛା ମୋର ଶୁଣିବାକୁ ତାହା ।
ଗୁରୁ—
ଗଞ୍ଜାମ ମାହାତ୍ମ୍ୟ ବତ୍ସ ଅସୀମ ଅପାର,
ବର୍ଣ୍ଣୁଥିଲେ ନ ସରିବ ସପ୍ତ ଦିବାନିଶି ।
ଘନବନକୁନ୍ତଳିନୀ, ଗିରି-ଗଭାମୟୀ
ଗଞ୍ଜାମ ଧରଣୀ, ମହା ସାରସ୍ୱତ ତୀର୍ଥ,
ଦେଖିବାକୁ ଇଚ୍ଛୁ ଯେବେ ଚାରୁ ଚିତ୍ର ତାର,
ଆଣ ତେବେ ମାନଚିତ୍ର, ଦେଖାଇବି ତୋତେ ।
ଉତ୍କଳ ସଂକ୍ଷିପ୍ତସାର ସେ ଗଞ୍ଜାମ ମହୀ,
ନାହି ଯାହା ତହିଁ, ତାହା ନାହିଁ ଏ ଉତ୍କଳେ ।
(ଶିଷ୍ୟର ମାନଚିତ୍ର ଆନୟନ)
ଦେଖ ବତ୍ସ ଏହିଠାରେ ଛତ୍ରଗଡ଼ ଘାଟୀ,
ଅନ୍ୟ ଏକ ନାମ ତାର ନାରାୟଣୀ ଖୋଲ,
ନାରାୟଣୀ ଦେବୀଙ୍କର ଅଧିଷ୍ଠିତ ସ୍ଥଳୀ ।
ଅଛନ୍ତି ଏଠାରେ ବହୁ ଅହିରାଜ ସର୍ପ
ଭୀଷଣଦର୍ଶନ, ତାଙ୍କ ବିଷ ନିଃଶ୍ୱାସରେ
ବିଷମୟ ଏ ସ୍ଥାନର ସମୀରମଣ୍ଡଳ ।
ଏହିଠାରୁ ଯାମ୍ୟ ଦିଗେ ବିସ୍ତୃତ ଗଞ୍ଜାମ,
ଯାମ୍ୟେତରେ ପୁରୀ ଜିଲ୍ଲା, ଦେଖ ବତ୍ସ ଏହି
ଖଲ୍ଲିକୋଟ ରାଜ୍ୟ, ତହିଁ ରାଜର୍ଷିପ୍ରତିମ
ନାରାୟଣ ମର୍ଦ୍ଦରାଜ ନାମେ ଏକ ରାଜା
କରୁଥିଲେ ରାଜପଣ, ଧାର୍ମିକ, ପଣ୍ଡିତ,
ଏକାଦଶୀ ରାତ୍ରେ ରାଏ ନିଜ ଶରୀରେ
ବସାଇ ଦ୍ୱାଦଶ ସ୍ଥାନେ ଦ୍ୱାଦଶ ପ୍ରଦୀପ,
ଉଜାଗରେ ଉପବାସେ କରୁଥିଲେ ଜପ ।
ସେ ରାଜ୍ୟକୁ ଲାଗି ଦେଖ ଅଷ୍ଟଦୁର୍ଗ ରାଜ୍ୟ
ଗଞ୍ଜାମର ଅନ୍ୟତମ ସାରସ୍ୱତ ପୀଠ
ରହିଛି ବିସ୍ତୃତ, ତହିଁ ଲଭିଥିଲେ ଜନ୍ମ
ଚମ୍ପୂକବି କବିସୂର୍ଯ୍ୟ ବଳଦେବ ରଥ ।
ତହିଁପରେ ଦେଖ ବତ୍ସ, ସୁପ୍ରସିଦ୍ଧ ରାଜ୍ୟ
ନିବିଡ଼ ନୀରନ୍ଧ୍ର ଶାଳବନ-ଶ୍ୟାମାୟିତ
ଘୂମୁଷର ରାଜ୍ୟ, ତାର ବିଶାଳ ବିସ୍ତୃତି
ଯୋଜନ ଯୋଜନ ବ୍ୟାପୀ, ଉତ୍କଳରେ ତାହା
ଉଜ୍ଜୟିନୀ କ୍ଷେତ୍ର, ମହା ସାରସ୍ୱତ ତୀର୍ଥ ।
ଜନ୍ମି ତହିଁ ମହାକବି ଶ୍ରୀ ଉପେନ୍ଦ୍ର ଭଞ୍ଜ
ଉତ୍କଳର କାଳିଦାସ, କଲେ ପ୍ରାଣଦାନ
ପୁଣି ଶକ୍ତି ଦାନ ଆମ୍ଭ ଉତ୍କଳ ଭାଷାକୁ ।
ଦେଖାଇଲେ ସାହିତ୍ୟରେ ଯେ ଶିଳ୍ପଚାତୁରୀ,
ବୈଶିଷ୍ଟ୍ୟ, ବୈଚିତ୍ର୍ୟ, ତାହା ଦୁର୍ଲଭରେ ବତ୍ସ
ଅନ୍ୟ ଦେଶ ପୁଣି ଅନ୍ୟ ଭାଷା ସାହିତ୍ୟରେ ।
ନମ ବତ୍ସ ଭକ୍ତିଭରେ ଯୁକ୍ତକରେ ତାଙ୍କୁ ।
ଶିଷ୍ୟ- (ନମସ୍କାରାନ୍ତେ)---
ଏ ଭଳି ବରେଣ୍ୟ କବି ଅଛନ୍ତି ଆମ୍ଭର
ଶୁଣି ଗର୍ବେ ଛାତି ମୋର ଉଠୁଅଛି ଫୁଲି,
ଧନ୍ୟ ମୋର ମାତୃଭୂମି, ମୋର ମାତୃଭାଷା,
ଧନ୍ୟ ଏ ଗଞ୍ଜାମ ଭୂମି କବିମଣିଖଣି ।
କହନ୍ତୁ କହନ୍ତୁ ଗୁରୋ ଗଞ୍ଜାମ ମହତ୍ତ୍ୱ,
ବହୁଛି ମୋ ଶରୀରରେ ମହାଉଲ୍ଲାସର
ବିଦ୍ୟୁତ ପ୍ରବାହ, ଦେବ, ଶୁଣିବାକୁ ତାହା ।
ଗୁରୁ---
କି ବର୍ଣ୍ଣିବ ଶିଷ୍ୟମଣି, ଗଞ୍ଜାମ ମହିମା
ବର୍ଣ୍ଣନେ ଅକ୍ଷମ ତାହା ମୋ କ୍ଷୁଦ୍ର ରସନା,
କହୁଛି ସଂକ୍ଷେପେ କିଛି, ଶୁଣ ଅବହିତେ ।
ଏହି ଘୁମୁଷରେ ଜନ୍ମି ସୂର୍ଯ୍ୟମଣି ଚ୍ୟାଉ
ଲେଖିଛନ୍ତି ଆଧ୍ୟାତ୍ମିକ ରାମାୟଣ ଗ୍ରନ୍ଥ,
ବହୁ କବି-ଜନନୀ ଏ ଘୁମୁଷର ମହୀ,
କବିତା ଦେବୀଙ୍କ ଏହା ରତ୍ନ ଗନ୍ତାଘର ।
ତହିଁ ପରେ ଦେଖ ଏହି ଧରାକୋଟ ରାଜ୍ୟ
ନଳବଂଶୀ ନୃପତିଙ୍କ ପାଳିତ ଭୂଖଣ୍ଡ,
ରାଜକବି କୃଷ୍ଣସିଂହ ଜନ୍ମ ଲଭି ଏଥି
ରଚିଲେ ଅଠରପର୍ବ ଶ୍ରୀ ମହାଭାରତ
ନବଛନ୍ଦେ, ହୋଇ ସେହୁ ଲକ୍ଷ୍ମୀ ବରପୁତ୍ର
ପୂଜିଲେ ଭାରତୀ ପାଦ, ତନ୍ମୟ ମାନସେ
ତାଙ୍କ ପୁଣ୍ୟ ଚିତାନଳ ସ୍ଥାୟୀ ସ୍ମୃତିରୂପେ
ହୋଇଛି ରକ୍ଷିତ ଏଥି ଋଷିକୁଲ୍ୟା ତୀରେ ।
ଶିଷ୍ୟ—
ଧନ୍ୟ ହେଲି ଶୁଣି ଦେବ ! କୃଷ୍ଣସିଂହ କଥା,
କହନ୍ତୁ ହେ ଗୁରୋ ! ଏବେ, ଏହି ଯେ ଦିଶୁଛି
ନୀଳୋତ୍ପଳ ପତ୍ରସମ ଶ୍ୟାମଳ-ସୁନ୍ଦର
କି ନାମ ତାହାର ?.........
ଗୁରୁ-* * ବତ୍ସ, ଚିଲିକା ହ୍ରଦ ସେ,
ମହୋଦଧି ରାଜଜେମା, ଶୋଭେ ଯେହ୍ନେ ଆହା
ଉତ୍କଳ କମଳା ବକ୍ଷେ ମାରାଗ ପଦକ,
କିମ୍ବା ଦିଗଦେବୀଙ୍କ ନୀଳ ବିଶାଳ ଦର୍ପଣ
ବିରାଟ ଦୀର୍ଘିକା, ପାଣ୍ଡୁ ଜଳାରଣ୍ୟ ତାର
ରହିଛି ବିସ୍ତୃତ ଦୂର ଚକ୍ରବାଳ ଯାଏ ।
ଜଟିଆ, ଚଢ଼େଇଗୁହା,କାଙ୍କଣଶିଖରୀ,
ଘଣ୍ଟଶିଳା ଆଦି କେତେ ଗିରିପୁଞ୍ଜ, ଶୋଭେ
ଚିଲିକାବକ୍ଷେ, ପ୍ରତେ ହୁଏ ଯେହ୍ନେ କରିଯୂଥ
ଅର୍ଦ୍ଧାଙ୍ଗ ନିମଜ୍ଜି ଜଳେ, ରତ ସିନ୍ଧୁ ସ୍ନାନେ ।
ଚିଲିକା ଦର୍ଶନେ ବତ୍ସ, ଉଦିତ ମାନସେ
କେତେ ପୁରାତନ ସ୍ମୃତି, କେତେ ଭାବ ଆଜି,
ଆକ୍ରମିଲା ଯେବେ ଅହୋ ଦୂରନ୍ତ ଦାନବ
ରକ୍ତବାହୁ, ଦେବଦେଶ ଏ ଉତ୍କଳେ, ଲୁଣ୍ଠି
ବହୁ ଧନରତ୍ନରାଜି ଅମୂଲ୍ୟ ଦୂର୍ଲ୍ଲଭ,
ପୂରାଇ ବୋଇତେ ତାହା ଦୁର୍ଦ୍ଦାନ୍ତ ମତ୍ସରୀ
ଫେରିଲା ଚିଲିକା ପଥେ, ସୈନ୍ୟବ୍ୟୂହ ସହ,
ଗର୍ଜିଲା ବିଜୟ ଦର୍ପେ, ମାତ୍ର କେତେ କ୍ଷଣ
ତିଷ୍ଠିପାରେ ଡୁଣ୍ଡଭର ବ୍ୟର୍ଥ ଆସ୍ଫାଳନ
ନାଗୁଣୀ ସମୀପେ, କିମ୍ବା କେତେ କ୍ଷଣ ଅବା
ସହିପାରେ ସିଂହୀ ଛାର ଫେରୁର ଗର୍ଜନ ?
ରୁଷିଲା ଚିଲିକା, ଦେଖି ସୁତୀର୍ଥମାଳିନୀ
ଉତ୍କଳର ଅପମାନ, ଉଠିଲା ଗରଜି
ପ୍ରଚଣ୍ଡ ଭୈରବ ନାଦେ, ସେ ରୁଦ୍ର ଗର୍ଜନେ
ଥରିଲା ପୃଥିବୀ, ପୁଣି ଥରିଲା ଗଗନ,
ଉତ୍ତୁଙ୍ଗ ଲହରୀ-ସେନା ପେଷିଣ ଚିଲିକା
ଦେଲା ଦୈତ୍ୟତରୀ ସହ ସେ ଦୁଷ୍ଟେ ବୁଡ଼ାଇ
ଅତଳ ସଲିଳ ଗର୍ଭେ, ଲଭିଲା ପାମର
ସମୃତ୍କଟ ପ୍ରତିଫଳ ସ୍ୱୀୟ ଦୁଷ୍କାର୍ଯ୍ୟର ।
ପରରାଷ୍ଟ୍ର ଗ୍ରାସିବାକୁ ଆସିଥିଲା ଖଣ୍ଟ,
ମାତ୍ର ନିଜେ କାଳଗ୍ରାସେ ଭଜିଲା ବିଲୟ,
ନ ମେଣ୍ଟିଲା ପାଷଣ୍ଡର ଦୁର୍ବାର ପିପାସା,
ହେଲା ସେ କୁଣିଆ ଯାଇ ଚିତ୍ରଗୁପ୍ତ ପୁରେ ।
ଉତ୍କଳ ଲୁଣ୍ଠିତ ଧନ ରହିଲା ଉତ୍କଳେ,
ନେଇ ନ ପାରିଲା ତହୁଁ କଡ଼ାଏ ପାପିଷ୍ଠ ।
ଶିଷ୍ୟ—
ବୁଝିଲି, ବୁଝିଲି ଦେବ ! ଚିଲିକା ମାହାତ୍ମ୍ୟ,
ପୂତ ହେଲା କର୍ଣ୍ଣ ମୋର, ଜାଣିଲି ନିକର
ପାପର ପ୍ରକୃତ ଶାସ୍ତି ଅଛି ମହୀତଳେ ।
ଗୁରୁ—
ଦେଖ ବତ୍ସ, ଗଞ୍ଜାମର ପୂର୍ବ ରାଜଧାନୀ
ଗଞ୍ଜା ନଗରୀର ଜୀର୍ଣ୍ଣଶୀର୍ଣ୍ଣ ଦୂରବସ୍ଥା,
ମହାମାରୀ କବଳରେ ପଡ଼ି ସେ ନଗରୀ
ହୋଇଗଲା ଛାରଖାର, ତହୁଁ ଛତ୍ରପୁରେ
ଉଠିଗଲା ରାଜଧାନୀ, ହେଲା ଅସ୍ତମିତ
ଗଞ୍ଜା ଭାଗ୍ୟରବି ହାୟ, ନିୟତି ଶାସନେ ।
ଏହି ଯେ କୁଟିଳ ରେଖା ଦେଖୁଛୁରେ ବତ୍ସ
ମାନଚିତ୍ରେ, ଶିଖିଭୀତ ଭୁଜଙ୍ଗୀ ପରାୟେ
ଋଷିକୂଲ୍ୟା ନଦୀ ତାହା ଋଷିମାଳ-ସୁତା,
ପୌରାଣିକ ତୀର୍ଥ ଏହା, ସ୍ନାନ କଲେ ତହିଁ
ଧୋଇଯାଏ ପାପ ତାପ କଳ୍ମଷ ଶରୀରୁ ।
ସିନ୍ଧୁ ଉପକଣ୍ଠେ ରାଜେ ରମ୍ୟ ଛତ୍ରପୁର
ଗଞ୍ଜାମ ଜିଲାର ଏହା ନବ ରାଜଧାନୀ
ଝାଉଁ-ଝଙ୍କାରିତ ସ୍ଥଳୀ, ଗାଉଅଛି ସିନ୍ଧୁ
ଅଦୂରେ ଭୈରବ ରାଗେ ଅବୋଧ୍ୟ ସଙ୍ଗୀତ,
ବିସ୍ତାରିଛି ଝାଉଁ ଏଣେ ମଧୁର ରାଗିଣୀ,
ମିଶାମିଶି ଏଥି ବତ୍ସ କୋମଳ କଠୋର ।
ସିନ୍ଧୁବାୟୁ ସହ ଏଥି ପାର୍ବତୀୟ ବାୟୁ
ମିଶାମିଶି ହୋଇ ହୁଏ ସୁଖସ୍ୱାସ୍ଥ୍ୟପ୍ରଦ ।
ଦେଖ ଏବେ ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାର
ଉପ-ରାଜଧାନୀ, ଉଚ୍ଚେ ଟେକିଛି ସେ ଶିର
ଧନେ ମାନେ ଜ୍ଞାନେ ପୁଣି ଶିକ୍ଷା ସଭ୍ୟତାରେ ।
ନାଗରିକ ଉପାଦାନେ ପୂର୍ଣ୍ଣ ଏ ନଗରୀ
ରାଜକୀୟ ଛୋଟବଡ଼ ସର୍ବ କାର୍ଯ୍ୟାଳୟ
ସୁସଜ୍ଜିତ, ଅବସ୍ଥିତ ଏଥି ଏକାଧାରେ,
ଏହିଠାରେ ଖଲ୍ଲିକୋଟ କଲେଜ ସ୍ଥାପିତ ।
ଖଲ୍ଲିକୋଟ ପୂର୍ବରାଜା ସ୍ୱନାମପ୍ରସିଦ୍ଧ
ଯଶୋଧନ ହରିହର ମର୍ଦ୍ଦରାଜ ଦେବ
ସ୍ଥାପିଲେ ଏ ବିଦ୍ୟାକୀର୍ତ୍ତି ଲକ୍ଷମୁଦ୍ରା ଦାନେ
ତାହାଙ୍କ ଅମରସ୍ମୃତି ବହିଛି କଲେଜ,
ଏ ସ୍ଥାନର ପାଟଲୁଗା ଭାରତ ବିଖ୍ୟାତ ।
ଦକ୍ଷିଣରେ ଇଚ୍ଛାପୁର, ଶୋଭେ ଯା ବକ୍ଷରେ
ସ୍ୱଚ୍ଛୋଦା ବାହୁଦ ନଦୀ ହୀରାହାର ପ୍ରାୟ ।
ମିଶି ନାହିଁ ଉତ୍କଳରେ ଏ ଓଡ଼ିଆ ରାଜ୍ୟ,
ନ ମିଶୁ ପଛକେ ଏବେ, ମିଶିବ ଭବିଷ୍ୟେ,
ନ ହେବ ବିଫଳ ବତ୍ସ, ଜାତୀୟ ଅଣୁର
ଆକର୍ଷଣୀ-ଶକ୍ତି, ତାହା ମିଶାଇବ ଦିନେ ।
ଶିଷ୍ୟ--
ସତ୍ୟ ହେଉ ବାଣୀ ତବ, ଅଦୂର ଭବିଷ୍ୟେ
ମିଶୁ ଏ ଭୂଖଣ୍ଡ ଆସି ଉତ୍କଳ ସହିତେ,
କରନ୍ତୁ ଏ ଆଶୀର୍ବାଦ ପ୍ରଭୁ ବିଶ୍ୱପତି ।
ଗୁରୁ--
ପୂର୍ବରେ ସୁମାଣ୍ଡି ଗ୍ରାମ ଲୁଣ କାରଖାନା,
ଗନ୍ତାଘର ତାହା ବତ୍ସ ସିନ୍ଧୁ ସମ୍ପଦର ।
ଦେଖ ଏ ଉଦ୍ୟାନଖଣ୍ଡ, ଗଞ୍ଜାମ ଜିଲାର
ସୁରମ୍ୟ ନନ୍ଦନ ବନ, ସୁଦୂର ବିସ୍ତୃତି ।
ସିନ୍ଧୁବାୟୁ-ବିଧୁନିତ ସଦା ଏ ଉଦ୍ୟାନ
ଅସମୟେ ଫୁଲେ ଫଳେ ହୁଏ ସୁଶୋଭିତ ।
କ୍ରୋଶ କ୍ରୋଶ ବ୍ୟାପି ରମ୍ଭା ନାରିକେଳ ବନ
ତୋଷେ ଫଳଦାନେ ସଦା ସମଗ୍ର ଭାରତେ ।
ପଶ୍ଚିମେ ମହେନ୍ଦ୍ରଗିରି ମହେନ୍ଦ୍ର-ବାଞ୍ଛିତ,
ଉତ୍କଳର ହିମାଳୟ, ଲିଖିତ ତା’ ଦେହେ
ବହୁ ଇତିହାସ, ତା’ର ଶିଳାଖଣ୍ଡ ତଳେ
ରହିଅଛି ଲୁଚି ବହୁ ଇତିହାସ ଅଧ୍ୟା ।
ପୁରାଣପ୍ରସିଦ୍ଧ ଗିରି, ତୁଙ୍ଗ ସପ୍ତଚୂଡ଼,
ରବିକୁଳରବି ରଘୁ ଦିଗ୍ବିଜୟ କାଳେ
କରିଥିଲେ ଏ ପର୍ବତେ ତ୍ରିଦିନ ବସତି ।
କଳିଙ୍ଗ ସହିତେ ଯୁଝି, ପରାଜୟି ତାକୁ
ଲଭିଥିଲେ ନବଲକ୍ଷ ହସ୍ତୀ ଉପହାର ।
କୁନ୍ତୀ, ଯୁଧିଷ୍ଠିର, ଭୀମ, ପାର୍ଥଙ୍କ ଦେଉଳ
ବହିଅଛି ତାଙ୍କ ସ୍ମୃତି ଅକଳିତ କାଳୁ ।
ବନବାସ କାଳେ ରାମ ଅଯୋଧ୍ୟା-ଭୂଷଣ,
କରିଥିଲେ ବାସ ଏଥି ପତ୍ନୀଭ୍ରାତାସହ ।
କ୍ଷତ୍ରହନ୍ତା ପର୍ଶୁରାମ ଏ ଗିରି ଶିଖରେ
କରୁଥିଲେ ସୁକଠୋର ତପସ୍ୟା ସାଧନ,
ବହିଛି ତାଙ୍କର ସ୍ମୃତି ପର୍ଶୁରାମ କୁଣ୍ଡ ।
ମହାଯୋଗୀ ଗିରିବର, ସମାଧି ନିମଗ୍ନ,
ଝରେ ତାଙ୍କ ନେତ୍ରୁ ଦୁଇ ପ୍ରେମାଶ୍ରୁ ପ୍ରବାହ,
ବହିଯାଏ ନଦୀରୂପେ ମହେନ୍ଦ୍ର-ତନୟା
ପୁଣି ସ୍ୱର୍ଣ୍ଣମୁଦ୍ରା ନାମେ, ଧରେ ଗିରି ବକ୍ଷେ
ନୀରନ୍ଧ୍ର କାନନଶ୍ରେଣୀ, ନିଶୀଥ ସମୟେ
ଗର୍ଜେ ତହିଁ ମହାବଳ-ପଶୁ-ଅଧିରାଜ,
ଶୁଣି ସେ ଗର୍ଜନ, ଭୟେ ଦିଗଙ୍ଗନାକୁଳ
ପ୍ରତିଧ୍ୱନି ଛଳେ ଉଚ୍ଚେ ଛାଡ଼ନ୍ତି ଚିତ୍କାର,
କମ୍ପିଉଠେ ବନଭୂମି, କମ୍ପେ ଗିରିଚୂଡ଼ା ।
ମଞ୍ଜୁଷା ରାଜ୍ୟର ଗିରି ମାରାଗ-ମହୁଡ଼,
ପ୍ରତିଦିନ ହୁଏ ତହିଁ ତିନି ଋତୁ ଭୋଗ—
ଗ୍ରୀଷ୍ମ ବର୍ଷା ସହିତରେ ଶୀତ ଭୟଙ୍କର,
ବାର ମାସଯାକ ତହିଁ ହୁଏ ମାଘ ମାସ ।
ମଞ୍ଜୁଷା ଓଡ଼ିଆ ରାଜ୍ୟ, କିନ୍ତୁ ମିଶି ନାହିଁ
ସ୍ୱତନ୍ତ୍ର ପ୍ରଦେଶେ, ଅହୋ କି ଦାରୁଣ କ୍ଷୋଭ ।
ଦିଅ ଦୃଷ୍ଟି ଏଣେ ବତ୍ସ, ଏ ଟିକିଲି ରାଜ୍ୟ
ମହୀମହିଳାର ରମ୍ୟ ମର୍କତ ଟିକିଲି ।
ଅଧିଷ୍ଠିତା ଏଥି ଦେବୀ ନୀଳ ସରସ୍ୱତୀ
କାନନ-ନିକୁଞ୍ଜେ, ଏହା ସାରସ୍ୱତ-ପୀଠ ।
ଅଦୂରେ ବିସ୍ତୃତ ଚାରୁ ସୁଦୀର୍ଘ ଦୀର୍ଘିକା
ପୂର୍ଣ୍ଣ ଶ୍ୱେତ-ଶତଦଳେ, ବିହାର ସର ସେ
ଦେବୀଙ୍କର, ଯୋଗାଏ ସେ ସଜଫୁଲ ସଦା
ଖଟଣୀ ସେବିକା ପ୍ରାୟ ଦେବୀପୂଜା ଅର୍ଥେ ।
ନିବସନ୍ତି ଶୂଳପାଣି ବୁଢ଼ା ଶିବ ନାମେ,
ତୁଙ୍ଗ ଗିରିଚୂଡ଼ା ସମ ଆକୃତି ତାଙ୍କର;
ନିଶୁଣୀ ସାହାଯ୍ୟେ ତାଙ୍କୁ ପୂଜକ ବ୍ରାହ୍ମଣ
ପୂଜାକରେ ବିଲ୍ୱପତ୍ର ପୁଷ୍ପାକ୍ଷତ ଫିଙ୍ଗି ।
ଏ ଓଡ଼ିଆ ରାଜ୍ୟ ସୁଦ୍ଧା ମ ମିଶି ଉତ୍କଳେ
ଭୁଞ୍ଜୁଅଛି ଅସୁବିଧା ମାନ୍ଦ୍ରାଜ ଅଧୀନେ ।
ଶିଷ୍ୟ—
ହାୟ ରେ କପାଳ ! କିପାଁ ଦେବ ଦିଗମ୍ବର
ରହିଛନ୍ତି ଭୁଲି ଆଜି ଉତ୍କଳ ଭୂଖଣ୍ଡେ,
ନ ପାରେଁ ତା ବୁଝି, ଗୁରୋ ମନେହୁଏ ମୋର
ବେଶି ଦିନ ପାଇଁ ଆଉ ଦେବ ଭୋଳାନାଥ
ନ ରହିବେ ପାସୋରି ଏ ପବିତ୍ର ପ୍ରଦେଶେ ।
ଆସିବ ଟିକିଲି ଦିନେ, ଉତ୍କଳ ମାତାର
ଭାସ୍ୱର ଲଲାଟ ପଟ କରିବ ମଣ୍ଡନ ।
କହନ୍ତୁ ହେ ଗୁରୋ ଏବେ, ଏ କେଉଁ ଭୂଖଣ୍ଡ,
ଦିଶୁଛି ଆକାଶ ଯାର ଏଡ଼େ ସମୁଜ୍ଜ୍ୱଳ,
ଶୁଣିବାକୁ ତା ମାହାତ୍ମ୍ୟ ବଳୁଛି ମାନସ ।
ଗୁରୁ--
ଏହି ଯେ ଦେଖୁଛ ବତ୍ସ, ଦର-ବିକସିତ
ପଦ୍ମପତ୍ର ପ୍ରାୟେ ଯାମ୍ୟେ ରହିଛି ବିସ୍ତୃତ,
ପାରଳାଖେମୁଣ୍ଡୀ ତାହା ଗଜପତି ରାଜ୍ୟ,
ସାହିତ୍ୟ, ସଂଗୀତ, ଶିଳ୍ପ, ଜ୍ୟୋତିଷ-କୁଷଳା
କରନ୍ତି ରାଜତ୍ୱ ତହିଁ ରାଜର୍ଷି ପ୍ରତିମ,
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ,
ଧନେ, ମାନେ କୁଳେ ଶୀଳେ ଜ୍ଞାନେ ଦାନେ ଯଶେ
ଦୟା ଦାକ୍ଷିଣ୍ୟରେ ପୁଣି ରାଜନ୍ୟ-ବାଞ୍ଛିତ
ସକଳ ସଦ୍ଗୁଣେ ସେହୁ ଆଦର୍ଶ ନୃପତି
ସମଗ୍ର ଉତ୍କଳଖଣ୍ଡେ କି କହିବି ବତ୍ସ,
ତାଙ୍କରି ଅଦମ୍ୟ ଚେଷ୍ଟା ବହୁ ଅର୍ଥ ବ୍ୟୟେ
ହୋଇଛି ଉତ୍କଳ ଏବେ ସ୍ୱତନ୍ତ୍ର ପ୍ରଦେଶ,
ମିଶିଛି ତା ସହ କେତେ ଛିନ୍ନ ଅଂଶ ତାର ।
ପ୍ରଧାନ ସଚିବ ରାଏ ନବ ଉତ୍କଳର
କୋଟିଏ ଲୋକଙ୍କ ଭାଗ୍ୟ ନ୍ୟସ୍ତ ତାଙ୍କ ହସ୍ତେ ।
କି ବର୍ଣ୍ଣବି ବତ୍ସମଣି ତାହାଙ୍କ ପ୍ରତିଭା
ଉଡ଼ନ୍ତା ପକ୍ଷୀର ପକ୍ଷ ପାରନ୍ତି ସେ ଗଣି,
ତାଙ୍କ ଭଳି ମହାରାଜା ଉତ୍କଳଭାଗ୍ୟରେ
ବିଧାତାଙ୍କ ଅତିରିକ୍ତ ମହାଦାନ ନିଶ୍ଚେ ।
ଆସୁଥିଲେ ପ୍ରଚ୍ଛନ୍ନରେ ଆଳସ୍ୟ, ବିଳାସ,
ଆକ୍ରମିବେ ବୋଲି ତାଙ୍କୁ, ମାତ୍ର ତାହାଙ୍କର
ଦୃଷ୍ଟିର ପ୍ରଖର ତେଜେ ଅନ୍ଧ ହୋଇ ଦୁଷ୍ଟେ
ପଳାଇଲେ ପଡ଼ିଉଠି ଅସମ୍ଭାଳ ଭୟେ ।
ସ୍ଥାପିଛନ୍ତି ରାଜ୍ୟେ ରାଏ ପ୍ରଥମ ଶ୍ରେଣୀର
ଉଚ୍ଚ ଶିକ୍ଷାଳୟ ପ୍ରଜାପୁଞ୍ଜ ଶିକ୍ଷା ଅର୍ଥେ
ଲଭୁଛନ୍ତି ଶିକ୍ଷା ତହି ସ୍ୱଦେଶୀ ବିଦେଶୀ
ବହୁ ଛାତ୍ର ଭୁଞ୍ଜି ନାନା ସୁଯୋଗ ସୁବିଧା ।
ଆବର ସଂସ୍ଥାପି ରାଏ ସଂସ୍କୃତ କଲେଜ
ପ୍ରଦର୍ଶିଲେ ରାଜହୃଦ ମହତ୍ତ୍ୱ ସହିତ
ସୁପ୍ରାଚୀନ ସୁସମୃଦ୍ଧ ଭାଷାର ମହତ୍ତ୍ୱ ।
ବହୁ ଉଚ୍ଚଶିକ୍ଷିତଙ୍କ ନିବାସ ଏ ରାଜ୍ୟେ ।
ଜନ୍ମ ଲଭି ଏହି ରାଜ୍ୟେ ଶ୍ରୀଗୋପାଳକୃଷ୍ଣ
ଭକ୍ତକବି ଭକ୍ତିରସେ ଗାଇଲେ ସଂଗୀତ
ବଂଶଧାରା ନଦୀକୂଳେ ବାଇ କଣ୍ଠବଂଶୀ,
ଲଳିତ ମଧୁର କାନ୍ତ ପଦାବଳୀ ତାଙ୍କ
ଭକ୍ତପ୍ରାଣେ ଢାଳିଦିଏ ଅମୃତ ପ୍ରବାହ ।
ଉତ୍କଳର ଅନ୍ୟତମ ପ୍ରବୀଣ ସଚିବ
କରଣ କୁଳର ଚନ୍ଦ୍ର ସ୍ୱଦେଶ-ବତ୍ସଳ,
ମାନଧାତା ଗୋରାଚାନ୍ଦ ଜନ୍ମ ଲଭି ଏଥି
ଉଜ୍ଜ୍ୱଳିଲେ ଉତ୍କଳର ଶ୍ରୀମୁଖ-କମଳ ।
ଦେଶପାଇଁ ମାନଧାତା ଯୌବନରେ ଯୋଗୀ
ନ ଚାହିଁ ସ୍ୱକାର୍ଯ୍ୟେ ପୁଣି ନ ଚାହିଁ ଶରୀରେ
ଦେଶପାଇଁ ଦିବାନିଶି କର୍ମେ ରତ ସଦା ।
ସାଧୁଛନ୍ତି ଦୁଇହସ୍ତେଶତହସ୍ତ କାର୍ଯ୍ୟ ।
ଦେଶପାଇଁ ଉତ୍ସର୍ଗେ ଯେ ଦେହପ୍ରାଣ ମନ
ପୁଣି ଭୁଲେ କ୍ଷୁଧାତୃଷ୍ଣା ଦେଶମାତା ସିନା
ଚାହିଁଥାନ୍ତି ତାହା ମୁଖେ ଉତ୍ପକ୍ଷ୍ମ ନୟନେ ।
ଚିରଶସ୍ୟସୁଶ୍ୟାମଳା ଏ ପାରଳା ରାଜ୍ୟ
ସୁପ୍ରଶସ୍ତ ଜଳାଧାର ସ୍ଥାନେ ସ୍ଥାନେ ଏଥି
ରାଜେ ଯଥା ନଗରୀର ବହୁ ଦୀପ୍ତ ନେତ୍ର
ତାହାଯୋଗୁଁ ଘଟେ ନାହିଁ ଶସ୍ୟହାନି କେବେ,
ଅନାବୃଷ୍ଟି କାଳେ ଫଳେ ସ୍ୱର୍ଣ୍ଣ ଶସ୍ୟକ୍ଷେତ୍ରେ ।
ଅଛି ରାଜ୍ୟେ ପୁଣ୍ୟତୀର୍ଥ ମଖଲିଙ୍ଗ ନାମେ
ସର୍ବଧର୍ମ ସମନ୍ୱୟ ସ୍ଥଳୀ, ଯଜ୍ଞପୂତ,
ଅନେକ ପ୍ରାଚୀନ କୀର୍ତ୍ତି ବହିଛି ସେ ବକ୍ଷେ,
ହୋଇଥିଲା ସ୍ୱର୍ଣ୍ଣବୃଷ୍ଟି ତହିଁ ପୁରାକାଳେ,
ଅଦ୍ୟାପି ସୁବର୍ଣ୍ଣ ଖଣ୍ଡ ମିଳେ ସେ ସ୍ଥାନରୁ ।
କି ବର୍ଣ୍ଣିବି ବାଳୁତରେ ପାରଳା ମହତ୍ତ୍ୱ
ବର୍ଣ୍ଣିଲେ ତା ହେବ ବତ୍ସ, ସାତଖଣ୍ଡ ପୋଥି
ଗଞ୍ଜାମ ଜିଲାର ସୀମା ଶେଷ ଏହିଠାରୁ
ବିସ୍ତୃତ ତେଣିକି ବତ୍ସ, ବିଶାଖପାଟଣା ।
ଏତିକିରେ ଥାଉ ଆଜି ବୁଡ଼ିଲାଣି ବେଳ
ଦେଖାଇବି କାଲି ପୁଣି ଅବଶିଷ୍ଟ ଚିତ୍ର ।
ଶିଷ୍ୟ--
ଯେ ଆଜ୍ଞା, ଘେନନ୍ତୁ ଦେବ ଭୃତ୍ୟରପ୍ରଣାମ,
କୃତାର୍ଥ ମୁଁ, ଲଭି ଭାଗ୍ୟେ ତବଭଳି ଗୁରୁ ।
ଦୁର୍ଗେ-
ଆସ ମା ଆସ ମା ହୃଦୟ-ମନ୍ଦିରେ,
ସୁରେଶ-ମହେଶ-ସଙ୍ଗିନୀ,
ଦିଅ-
ଚରଣ-ତରଣୀ ଆଲୋକ-ବରଣୀ
ଆସ ଆସ ରଣରଙ୍ଗିନୀ । ଘୋଷା ।
ତୁମ୍ଭ ଲାଗି ଆଜି ଶାରଦା ନୀରଦ,
ବାନ୍ଧିଛି ରଜତ ପାବଚ୍ଛ ବିଶଦ,
ହର୍ଷେ ଆକଣ୍ଠ ଜଳରେ ତପ ଆଚରୁଛି
ସର-ରାଜଜେମା ପଦ୍ମିନୀ ।୧।
ମାଳତୀ ଟଗର ଦିବସନିଶାରେ,
ଉଭା ଦେବି ତୁମ୍ଭ ଖଟଣୀ ଆଶାରେ,
ପୁଣି ଗହଣରେ ଘେନି ପ୍ରିୟ ସହଚରୀ-
ଫୁଲକୁଳରାଣୀ ରଙ୍ଗିଣୀ ।୨।
ହରଗଉରା ଯେ ଅଲ୍ୟଳ ବାଳିକା,
ହେରି ହର୍ଷ ତାର ହସେ ଶେଫାଳିକା,
ଆହା ତବ ଆଗମନେ ମଣୁଛନ୍ତି ବେନି
ଉତ୍ସବର ଯୋଗ ବାରିଣୀ ।୩।
ଦୟାକର ଦୁର୍ଗେ ଅଧମ ସନ୍ତାନେ,
ବାଜି ଉଠୁ ତାହା ପ୍ରାଣେ ନବତାନେ,
ମାଗୋ ତୁମ୍ଭରି ମହିମା- ସଂଗିତ ରାଗିଣୀ
ମଧୁର ମୂର୍ଚ୍ଛନା, ତାରିଣି ।୪।
କହେ ଚିନ୍ତାମଣି ଚିତ୍ତେ ଭୟ ଗଣି,
ଭାଙ୍ଗି ଦିଅ ମାତଃ ଏ ମାୟା ବିପଣି;
ଦେବୀ ଦେଖାଅ ସମ୍ମୁଖେ ସତ୍ୟର ସରଣୀ
ରାକ୍ଷାସ ମହିଷମର୍ଦ୍ଦିନୀ ।୫।
ବିତିଯାଏ ଜୀବନଟା ଘୋଷି ଘୋଷି ନିତି
କେବଳ ପୁରୁଣା ପାଠ, ବିଶ୍ୱ-ଚାହାଳୀରେ,
ପାସୋରିଲେ ତାକୁ, ସେହୁ ନ ଯାଏ ପାସୋରି,
ତଥାପି ଲାଗିଛି ଘୋଷା, ଅହୋ, କି ଆଶ୍ଚର୍ଯ୍ୟ !
ସେହି ଖିଆ, ପିଆ, ଶୁଆ, ସେହି ନିତ୍ୟକର୍ମ
ଘୂରୁଅଛି ଅବିରତ କାଳଚକ୍ର ସହ,
ସବୁ ତ ପୁରୁଣା ପାଠ, ଘୋଷି ଘୋଷି ତାହା
ସରିଯାଏ ଦିନ ରାତି, କାହିଁଛି ବା ଆଉ
ଅବସର ଶିଖିବାକୁ ନୂଆ ନୂଆ ପାଠ ।
ପାରିବ ଏ ଘୋଷା ଛାଡ଼ି, କିଏ ଅଛି ଭଲା-
ସେ ଭଳି ଲକ୍ଷଣବନ୍ତ ସୌମିତ୍ରି ଲକ୍ଷ୍ମଣ,
ତେଜିଥିଲେ ଏ ଘୋଷା ସେ ଚଉଦ ବରଷ,
ଶିଖିଥିଲେ ନୂଆପାଠ ସେହି ଅବସରେ,
ଭ୍ରାତୃପ୍ରେମ ପାଠ ତାହା ତ୍ରିଦିବ-ଦୁର୍ଲଭ ।
ପାରନ୍ତି ଯୋଗୀଏ ପୁଣି ଛାଡ଼ି ଯୋଗବଳେ,
ଅର୍ଜନ୍ତି ସେ ମହାବିଦ୍ୟା ଅଧ୍ୟାତ୍ମ ସମ୍ପଦ ।
ରହିଥାଏ ପଡ଼ି ତାଙ୍କ ପିଣ୍ଡ ଏ ମାଟିରେ,
ମାତ୍ର ଆତ୍ମା ଭୁଞ୍ଜୁଥାଏ ପୁଣ୍ୟାମୃତ ଧାରା
ଅଖଣ୍ଡ ଆନନ୍ଦ ସୁଖ ଶାନ୍ତିମୟ ରାଜ୍ୟେ-
ଅନାମୟ ପ୍ରେମମୟ ବିଶ୍ୱାତ୍ମା ପୟରେ,
ଧୃତ ଗଜବର ଯଥା, ଥାଏ ବନ୍ଦିଶାଳେ
ମାତ୍ର ମନଆତ୍ମା ତା’ର ସନ୍ତରୁଣ ଥାଏ
ନିଜ ଗିରି-ପିତା-ପଦ-ନିଃସୃତ ଝରର
ଶୀତଳ ସଲିଳେ, ପିଏ ଆକଣ୍ଠ ସେ ତାହା ।
ପାର୍ଥିବ ଆହାର, ପାନ, ବିଷ ମଣେ ସେହୁ,
ଖାଏ ଯାହା ଅଜ୍ଞାତରେ, ପ୍ରକୃତି ତାଡ଼ନେ,
ସେ ତାହାର ମୃତାବସ୍ଥା-ଅଦ୍ଭୁତ, ବିଚିତ୍ର
ଚାଲିଥାଏ ଶ୍ୱାସ, ମାତ୍ର ଅଛି କି ନା ପ୍ରାଣ
ପିଣ୍ଡେ ତାର, ପାରେ ନାହିଁ ସେହି ତାହା ଜାଣି,
ସାଧାରଣ ନର ଭାଗ୍ୟେ କାହିଁ ସେ ଅବସ୍ଥା ।
ମୃତ୍ୟୁ ସିନା ଜୀବନର ଚରମ ବିଶ୍ରାମ,
ଖଟି ଖଟି ଏ ଜୀବନ ଜୀବନ-ରାଜ୍ୟରେ
ଚାଲିଯାଏ ମୃତ୍ୟୁରାଜ୍ୟେ, ବିଶ୍ରାମ ଆଶାରେ,
ହୋଇ ତହିଁ ଶ୍ରାନ୍ତ କାନ୍ତ କି ଅଜ୍ଞାତ ଦୁଃଖେ ।
ବିଶ୍ରାମାର୍ଥେ ଆସେ ପୁଣି ଜୀବନ ରାଇଜେ,
କାହିଁଛି ବିଶ୍ରାମ, ଖାଲି ଘୂରିବାହିଁ ସାର ।
ମାନବର ଦୁଇବନ୍ଧୁ-ଜୀବନ, ମରଣ,
ନାହିଁ ତାର ଘର, ଥାଏ ବନ୍ଧୁ ଘରେ ସେହୁ ।
କେବେ ବା ଜୀବନ ଘରେ, ମୃତ୍ୟୁ ଘରେ କେବେ
ଲୁଣ୍ଡିକଢ଼ା ତନ୍ତୀ ପ୍ରାୟ ଦେଉଥାଏ ଧାଡ଼ି ।
ଯେଉଁଠାରେ ଥାଉ, ମାତ୍ର ନ ଲଭେ ନିସ୍ତାର,
ସେ ପୁରୁଣା ଘୋଷା ପାଠୁ କେବେ, ଧ୍ରୁବ ଏହା,
ସତ୍ୟ ଏହା, ନିୟତିର ଅଲଙ୍ଘ୍ୟ ନିୟମ,
ସୁଖଦିନ, ଦୁଃଖଦିନ, ଦୁହେଁ ଯାନ୍ତି ମରି ।
ମାତ୍ର ସେ ପୁରୁଣା ପାଠ ନ ମରେ କଦାପି
ଚିର ଅମର ସେ, ରିଷ୍ଟ ନାହିଁ ତା କୋଷ୍ଠିରେ ।
ନାରୀ ସମାଜର କଳପଲତା,
ନାରୀ ଯୋଗୁଁ ନର ହୁଏ ଦେବତା ।
ନାରୀ ମାତୃଜାତି ଦେବୀ ସମାନ,
ଉଚ୍ଚରେ ନିର୍ଦ୍ଧିଷ୍ଟ ନାରୀର ସ୍ଥାନ ।
ନୀରୀ ଆଦ୍ୟାଶକ୍ତି ଦେବୀଙ୍କ କନ୍ୟା,
ବହେ ନାରୀଦେହେ ଶକ୍ତିର ବନ୍ୟା ।
ଯେଉଁ ଦେଶେ ନାରୀଶକ୍ତି ନିର୍ଜୀବ,
ପୁରୁଷ ପୌରୁଷ ସେ ଦେଶେ କ୍ଳୀବ ।
ନାରୀର ପ୍ରଭାବ ଦେବଦୁର୍ଲ୍ଲଭ,
ଅସମ୍ଭବ କରିପାରେ ସମ୍ଭବ ।
ପ୍ରମାଣ ତାହାର ସାବିତ୍ରୀ ସତୀ,
ଜୀଆଇ ଆଣିଲା ମୃତ ସ୍ୱପତି ।
ଉତ୍କଳର ମହା ସୌଭାଗ୍ୟ ଆଜ,
ଉତ୍ଥିତ ଜାଗ୍ରତ ନାରୀସମାଜ ।
ମାତା, ଭଗ୍ନୀ, କନ୍ୟା ଉଠି ସରବେ,
ଶକ୍ତିର ପ୍ରଭାବ ଦେଖାନ୍ତି ଭବେ ।
ବୀରବାଳା ଦେବୀ ଉତ୍କଳ-କନ୍ୟା,
ନିଜ ଗୁଣେ ହେଲେ ଜଗତେ ଧନ୍ୟା ।
କୋଟି ଧନ୍ୟ ତବ ଶକ୍ତି ସାହାସ,
ଦେଖାଇଲ କେଡ଼େ ଉଚ୍ଚ ଆଦର୍ଶ ।
ଧନ୍ଦା ଲଗାଇଣ ଜଗତ ନେତ୍ରେ,
ଯୁଝିଲ ଶକ୍ତିର ସମର କ୍ଷେତ୍ରେ ।
ତେଜସ୍ୱିନୀ ତୁମ୍ଭେ ଚଣ୍ଡିକା ପରି,
କେଉଁ ପୁରୁଷ ମା ତୁମ୍ଭଙ୍କୁ ସରି ।
ଛଡ଼ାଇ ପୁରୁଷ ମନୁ ଜଡ଼ତା,
ଶିଖାଇଲ ତା’କୁ ଦେଶ ମମତା ।
ଜୟଶ୍ରୀମଣ୍ଡିତ ହୋଇ ସମରେ,
ସ୍ଥାପିଲ ଅମର କୀର୍ତ୍ତି ମଞ୍ଚରେ ।
ଶକ୍ତି ସୁତା ତୁମ୍ଭେ ପ୍ରତ୍ୟକ୍ଷେ ଶକ୍ତି,
ଘେନ ମା ପ୍ରାଣର ପବିତ୍ର ଭକ୍ତି ।
ଯାବତ ଥିବ ଏ ଓଡ଼ିଆ ଜାତି,
ତାବତ ଅକ୍ଷୟ ତୁମ୍ଭ ସୁଖ୍ୟାତି ।
ମାଟି, ଇଟା ଭେଦ ଜ୍ଞାନ କରୁଥିଲି ଦିନେ,
କିନ୍ତୁ ସେହି ଦିନ ମୋର ଗଲାଣି ତ ମରି
ବହୁଦିନୁ, ସମାନ ସେ ଏବେ ମୋ ବିଚାରେ ।
ଥିଲା ଦିନ ଭକ୍ଷ୍ୟ ଦ୍ରବ୍ୟେ କରୁଥିଲି ଲୋଭ,
ଏବେ ସେହି ଭକ୍ଷ୍ୟ ମୋତେ କରୁଛି ଭକ୍ଷଣ,
ମଣୁଥିଲି ଯା ଅମୃତ, ଏବେ ତାହା ବିଷ ।
ଖୋଜି ବୁଲୁଥିଲି ଯେଉଁ ସୁଖକୁ ସଂସାରେ,
ଆସିଲେ ସେ ସୁଖ ତାକୁ ଦିଏ ଏବେ ତଡ଼ି
ବାଡ଼ି ଘେନି, କରେଁ ପୁଣି ଘୃଣାରେ ଭର୍ତ୍ସନା ।
କିସ ବା ଖୋଜୁଛି ଆତ୍ମା, କିସ ତାର ଲକ୍ଷ୍ୟ
ଜାଣେ ନାହିଁ ସେହି ତାହା, ବାତୁଳ ଯେସନ ।
ଥିଲା ଦିନେ ପ୍ରାଣପ୍ରିୟ ଯେଉଁ ଚିନ୍ତା ମୋର
ଏବେ ତାହା ଚିତା ପରି ଉଷ୍ଣ ଲାଗେ ମୋତେ ।
ମାଟିଗଢ଼ା ଦେହ, ଶେଷେ ମିଶିବ ମାଟିରେ
ସେ ମିଶିବା ଦିନ ଆସି ହେଲାଣି ନିକଟ,
ତେଣୁ ମାଟି ମୋ ଦୃଷ୍ଟିରେ ମହା ମୂଲ୍ୟବାନ,
ସେହି ମୋର ଚିରପ୍ରିୟ, ଅନ୍ତିମ ସମ୍ବଳ,
ମାଟି ମୋର ବନ୍ଧୁ, ମୋର ରକ୍ତ ମାଂସ ଅସ୍ଥି ।
ଜୀର୍ଣ୍ଣ, ଭଗ୍ନ ଶତଛିଦ୍ର କର୍ଦ୍ଦମ କୁଟୀରେ
କରୁଥିଲି ମାତୃପୂଜା, ନିର୍ବିକାର ମନେ,
ତାହା ବିନା ପ୍ରୀତିପ୍ରଦ ହେବ ନାହିଁ ମୋର
ସ୍ୱର୍ଣ୍ଣହର୍ମ୍ୟ, ଜ୍ୟୋତିର୍ମୟ ମଣିରତ୍ନଖଚୀ ।
ହେଉ ପଛେ ଅସୁନ୍ଦର ତାହା, ମାତ୍ର ସେହି
ଅସୁନ୍ଦର ମଧ୍ୟେ ଅଛି ଯେ ଗୁପ୍ତ ସୌନ୍ଦର୍ଯ୍ୟ
ସ୍ୱପ୍ନ ପୁରୀ ପ୍ରାୟ, କିମ୍ବା ଅଳକା ସଦୃଶ,
ମୋହିଛି ସେ ପ୍ରାଣେ ମୋର ମନ ଆତ୍ମା ସହ,
ତାର ସ୍ନେହ ଆକର୍ଷଣ ନ ପାରିବି ତୁଟି,
ନ ପାରିବି ମୂର୍ଚ୍ଛିତାର ଅଣଛିଣ୍ଡା ମାୟା ।
କି ମୋହନ ବଶମନ୍ତ୍ର ଜାଣେ ସେ କେଜାଣି,
ଅକ୍ଷମ ମୁଁ ଏଡ଼ିବାକୁ ସେ ମନ୍ତ୍ର ପ୍ରଭାବ ।
କି ଦିବ୍ୟ ସୁଷମାବୋଳା ମୋ ଦୀନ କୁଟୀର
କେ ବୁଝିବ ତାହା ଅବା ମୋହୋ ବିନା ଆନ,
ମୋର ଚକ୍ଷୁଦ୍ୱୟେ ରଚି ପ୍ରତିଚକ୍ଷୁ ଯେହୁ
ଦେଖିବ ତାହାକୁ, ସେହି ହୃଦୟୀ କେବଳ
ବୁଝିବ ସେ ଅଶୋଭାର ଶୋଭାର ମହତ୍ତ୍ୱ,
ଅପରେ ମଣିବେ ତୁଚ୍ଛ, ରଙ୍ଗଦିଆ କଥା,
ଦୀନର ସୌନ୍ଦର୍ଯ୍ୟ ସିନା ଦିଶେ ଦୀନନେତ୍ରେ ।
ବାସନା ଯେ କାଳେ ବିଷ, କିଏ ବା ସେକାଳେ
ଇଚ୍ଛାକରେ ଖେଳିବାକୁ ବିଳାସ-କ୍ରୋଡ଼ରେ,
ଶ୍ମଶାନ ନିକଟବର୍ତ୍ତୀ ହେଲାଣି ଯେ ଆସି,
ଉଇଁବ କି ତା ମନରେ ଯାତ୍ରାଦେଖା ଶାଧ,
ଇଚ୍ଛିବ କି ବୃଦ୍ଧ, ମଧୁ ଯୌବନ ଉତ୍ସବ,
ସେ ତାହାର ବୟୋଧର୍ମ ପ୍ରକୃତି ନିଷିଦ୍ଧ ।
ହୁଏ ନାହିଁ ଶାନ୍ତ କେବେ ଭୋଗତୃଷ୍ଣା ଭୋଗେ,
ଭଜେ ତାହା ଶାନ୍ତି ସିନା ତ୍ୟାଗ ଗଙ୍ଗାଜଳେ ।
ସୁଖକୁ ଯେ ନିଜେ ଭୁଞ୍ଜେ ସେହି ସ୍ୱାର୍ଥପର
ଜାଣେ ନାହିଁ ସୁଖ ଭୁଞ୍ଜି, ଭୁଞ୍ଜାଏ ଯେ ସୁଖ
ଆନେ, ସେହି ଏକା ଜାଣେ ସୁଖର ଆସ୍ୱାଦ,
ଭୁଞ୍ଜେ ସେ ଅମୃତମୟ ଅନାବିଳ ସୁଖ ।
ନୁହେଁ ସୁଖପଦବାଚ୍ୟ ଇନ୍ଦ୍ରିୟର ସୁଖ,
ଯେଉଁ ସୁଖ ଉପଭୋଗ କରାଯାଏ ପ୍ରାଣେ
ସେ ଏକା ପ୍ରକୃତ ସୁଖ ପ୍ରଦାନେ ଆନନ୍ଦ,
ସେ ସୁଖେ ଯେ ଭୁଞ୍ଜେ ସେହି ସୁଖୀ ଭାଗ୍ୟଧର
ଭୁଞ୍ଜାଇପାରେ ଯେ ସୁଖ ଜ୍ଞାତି ପରିବାରେ,
ଅଥବା ଅସୁଖୀ ଜନେ, ସୁଖ ଭୁଞ୍ଜେ ସେହି,
ଅନ୍ୟଥା ଯେ ଭୁଞ୍ଜେ ସୁଖ, ସୁଖ ଭୁ଼୍ଞ୍ଜେ ତାକୁ ।
ଆଜୀବନ ଭକ୍ତ ମୁହିଁ ବାଳଗୋପାଳର
ତାଙ୍କ ସୁଖେ ସୁଖ ମୋର, ସନ୍ତୋଷେ ସନ୍ତୋଷ,
ଦେଖି ତାଙ୍କ ଲୀଳାଖେଳା, ଭୁଲେ ମୁଁ ନିଜକୁ
ସେହି ମୋର ସୁଖଭୋଗ ବାଞ୍ଛିତ ଆନନ୍ଦ ।
ଅହୋ, କି ଦୁର୍ଦ୍ଦିନ ଆଜି ଉତ୍କଳଭାଗ୍ୟରେ,
ସୁପଣ୍ଡିତ ନୀଳମଣି ନୀରବ ତାପସ,
କରିଛନ୍ତି ହାୟ ମହାପ୍ରୟାଣ ତ୍ରିଦିବେ
ହସି ହସି, କିନ୍ତୁ ଦେଶେ କନ୍ଦାଇ ଆକୁଳେ ।
ସେ ଭୀଷଣ ମୃତ୍ୟୁଚ୍ଛାୟା ଅନ୍ଧକାର ରୂପେ
ବ୍ୟାପିଛି ଉତ୍କଳେ, ଦିବା ପ୍ରତେ ରାତ୍ରି ପ୍ରାୟ,
କାନ୍ଦୁଅଛି ଯଜ୍ଞପୁର-ନାଭିଗୟା କ୍ଷେତ୍ର,
ମହାଶୋକେ, କାନ୍ଦୁଅଛି ସମଗ୍ର ଉତ୍କଳ,
କାନ୍ଦୁଛନ୍ତି ତରୁଲତା, ଶିଶିରାଶ୍ରୁଧାରା
ବହାଇଣ ପତ୍ର-ନେତ୍ରୁ, ଅସମ୍ଭାଳ ବେଗେ ।
ନ ଫୁଟିଣ ଫୁଲ, ରହି ଅର୍ଦ୍ଧସ୍ଫୁଟ ଭାବେ
କାନ୍ଦୁଛି ନୀରବେ ବସି, ଗୁରୁଶୋକତାପେ
ଯାଇଅଛି ଶୁଖି ତା’ର ନେତ୍ରୁ ଅଶ୍ରୁଝର ।
କାନ୍ଦନ୍ତି ବିରୋଜା, ତାଙ୍କ ଚିରାରାଧ୍ୟା ଦେବୀ
ଦେବଯଜ୍ଞ ସମୁଦ୍ଭୂତା, ଆଦ୍ୟା ସ୍ୱରୂପିଣୀ,
ବ୍ୟଥା ଲଭି ପ୍ରିୟ ଭକ୍ତ ଶୋକେ, ଦେବୀଙ୍କର
ପାଷାଣ ପ୍ରତିମା ନେତ୍ରୁ ବହୁଛି ଲୋତକ,
କାନ୍ଦନ୍ତି ବରାହଦେବ, କାନ୍ଦେ ବୈତରଣୀ-
ତୀର୍ଥରାଣୀ, ଶୋକବୋଳା କୁଳୁ କୁଳୁ ସ୍ୱରେ,
ଉତ୍କଳେ ମଳିନ ଦେଖି ପଣ୍ଡିତ ପ୍ରତିଭା ।
ମରି ନାହଁ ତୁମ୍ଭେ ଦେବ, ହେ ତର୍କାଳଙ୍କାର
ପଣ୍ଡିତଭୂଷଣମଣି, ପଣ୍ଡିତ-ଗୌରବ,
ବିଶ୍ୱପ୍ରେମୀ ସଜ୍ଜନର ନାହିଁ ତ ମରଣ,
ଛୁଇଁବ ସେ ପୁଣ୍ୟତନୁ କି ଚାରା ମୃତ୍ୟୁର,
ଭୀତ ସେ ତହିଁକି, ଚିର ଜୀବଘାତୀ ବ୍ୟାଘ୍ର
ଛୁଏଁ କି ଅନଳେ, ଦୈବେ ଛୁଇଁଲେ ସେ ଭ୍ରମେ
ମୁହୂର୍ତ୍ତକେ ଦଗ୍ଧ ହୋଇ ହୁଏ ଭସ୍ମୀଭୂତ ।
ଆଣିଥିଲ ତୁମ୍ଭେ ଯେଉଁ ଅମର ବିଭବ
ଆସିବା ସମୟେ ସଙ୍ଗେ, ବାଣ୍ଟିଦେଇ ତାହା
ଚାଲିଗଲ ଯଥାକାଳେ, ଥିଲ ତୁମ୍ଭେ ଏକ,
ହେବ ହେ ଅନେକ ଏବେ, ତବ ଶୁଭାଦର୍ଶ
କୋଟିଏ ପ୍ରାଣରେ ହେବ ସୁପ୍ରତିଫଳିତ,
ବିହରିବ ତୁମ୍ଭେ ଏବେ କୋଟି ମୂର୍ତ୍ତିଧରି ।
ତୁମ୍ଭର ମାନସୀ କନ୍ୟା-“ଚିନ୍ତାତରଙ୍ଗିଣୀ,”
“ଭକ୍ତିଧାରା,” ଯୁଗେ ଯୁଗେ ରଖିବେ ବଞ୍ଚାଇ
ସ୍ମୃତି ସହ ମୂର୍ତ୍ତି ତବ, କି ବର୍ଣ୍ଣିବି ଦେବ
ଭକ୍ତିଧାରାର ମାହାତ୍ମ୍ୟ, ପବିତ୍ର ନିର୍ମଳ
ସ୍ୱଚ୍ଛ ତାହା ଯଥା ତବ ସ୍ନାନ-ତରଙ୍ଗିଣୀ
ପୁଣ୍ୟ ବୈତରଣୀ ଧାରା, କରୁଛି ସେ ଯଥା
ସମୁର୍ବର ତୀରବର୍ତ୍ତୀ ଶସ୍ୟକ୍ଷେତ୍ରେ ତା’ର,
ତଥା ‘ଭକ୍ତିଧାରା’, ତବ ହେ ଋଷିପ୍ରବର,
କରିବ ଉର୍ବର ସଦା ଜନ-ହୃଦକ୍ଷେତ୍ରେ,
ହେବ ସେହି କ୍ଷେତ୍ର ପୂର୍ଣ୍ଣ ପୁଣ୍ୟପ୍ରେମଶସ୍ୟେ ।
ମହତୀ ପ୍ରତିଭା ତବ ବୁଲୁଅଛି ଉଡ଼ି,
ଯୋଗାଶ୍ରମ ସମ ତବ ବାସଗୃହ ଊର୍ଦ୍ଧ୍ୱେ,
ଅବତୀର୍ଣ୍ଣ ହେଲେ ତୁମ୍ଭେ ପୁଣି ଏ ଉତ୍କଳେ
ଆଶ୍ରିବ ତୁମ୍ଭଙ୍କୁ ସେହୁ, ତୁମ୍ଭ ବ୍ୟତିରେକେ
ନାହିଁ କେହି ଯୋଗ୍ୟପାତ୍ର ସେହି ପ୍ରତିଭାର,
ତୁମ୍ଭ ଦେଶପ୍ରୀତି ନିଶ୍ଚେ ଆଣିବ ତୁମ୍ଭଙ୍କୁ
ଆକର୍ଷି ଉତ୍କଳେ-ତବ ପୂର୍ବ କର୍ମକ୍ଷେତ୍ରେ
ଧରି ସେ ତୁମ୍ଭଙ୍କୁ ଅଙ୍କେ ହେବ ଗୌରବିତ ।
ହେ ଆଦର୍ଶଗୃହି, ତ୍ୟାଗୀ, ଆଦର୍ଶ ସାଧକ,
ଆଦର୍ଶ ପଣ୍ଡିତ, ଗୁରୁ, ଆଦର୍ଶ ମାନବ,
ଯାଅ ଦେବ ପୁଣ୍ୟାର୍ଜିତ ମହାଧାମେ ତବ,
ଭୁଞ୍ଜ ଦେବ ମେଳେ ବସି ଶାନ୍ତିସୁଖ-ସୁଧା
ଘେନ ମୋର ଶ୍ରଦ୍ଧାଭକ୍ତି ବିଦାୟ ପ୍ରଣାମ ।
ଚିରଦୁଃଖୀ କବି ସଂସାରେ ସର୍ବଥା,
କବି ଏକା ବୁଝେ କବି ହୃଦବ୍ୟଥା ।
ପର ଦୁଃଖ ଚିତ୍ର ଅଙ୍କନ ସମୟେ,
ଦେଖି ତା ଯନ୍ତ୍ରଣା ଭୟ ଥରେ ଭୟେ ।
ସେ କାଳେ ତା ଦଶା ବର୍ଣ୍ଣି ନୁହେଁ ଆହା,
ଯାହା ଚିତ୍ରୁଥାଏ ଭୁଞ୍ଜୁଥାଏ ତାହା ।
ଦୁଃଖୀ ଦୁଃଖବ୍ୟଥା ଅଙ୍ଗେ ଅନୁଭବି,
ବାରି ହୁଏ ନାହିଁ କେ ଦୁଃଖୀ କେ କବି ।
ଉଡ଼ି ଆସି କାହୁଁ ଦୁଃଖୀ ଦୁଃଖଭାର,
କରେ ତା ଉପରେ ପ୍ରଭାବ ବିସ୍ତାର ।
କିଏ ଚିତ୍ର ଅବା କିଏ ଚିତ୍ରକର,
ଦୁହେଁ ଏକ ମୂର୍ତ୍ତି ବାରିବା ଦୁଷ୍କର ।
ପର ମନୋଭାବ ଆଣେ ନିଜ ପ୍ରାଣେ,
ଚିତ୍ରଶିଳ୍ପୀ ସେହି, ଚିତ୍ର କରି ଜାଣେ ।
ମହାଚୋର କବି ଚୌର୍ଯ୍ୟରେ ପଣ୍ଡିତ,
ଅଲକ୍ଷ୍ୟରେ ଚୋରି କରେ ପରବିତ୍ତ ।
ହରେ ଫୁଲଶୋଭା ନ ଛୁଇଁ ସେ ଫୁଲେ,
କେ ଅଛି ଅଦ୍ଭୁତ ଚୋର ତାହା ତୁଲେ ।
ବିରହୀ ଦମ୍ପତି ଗୁପ୍ତ ମନୋବୃତ୍ତି,
ଚୋରି କରିବାରେ କବି ଏକା କୃତୀ ।
ପ୍ରମାଣ ତାହାର ଲବ୍ଧ ଅନାୟାସ,
ମେଘଦୂତ କାବ୍ୟ, କବି କାଳିଦାସ ।
ମିଥ୍ୟାବାଦୀ ପଣେ କବି କଳ୍ପଦ୍ରୁମ,
କଳ୍ପନାରେ ତୋଳେ ଆକାଶ-କୁସୁମ ।
ଅତ୍ୟୁକ୍ତିରେ ଗଢ଼ା ତାହାର ଉପମା
ମୁଖ ସହ ଯୋଖେ ବାସନ୍ତୀ ଚନ୍ଦ୍ରମା ।
ମିଥ୍ୟାଗୁରୁର ସେ ଗୁଣବନ୍ତ ଚାଟ,
ତୁଚ୍ଛା ହାତରେ ବି କରିପାରେ ହାଟ ।
କଳ୍ପନା-ପ୍ରସୂତ ରଙ୍ଗବୋଳା ବାଣୀ,
ଛଣାସତ୍ୟରୂପେ ଥୋଇଦିଏ ଆଣି ।
ପକ୍ଷାନ୍ତରେ କବି ଚିରକାଳ ଯୋଗୀ,
ଯୋଗଧ୍ୟାନେ ଥାଏ ମାନସେ ନିୟୋଗି ।
ବକ ପରି ଧ୍ୟାନେ ରତ ସେ ନିରତେ,
ଭାବରୂପୀ ମତ୍ସ୍ୟ ଭୁଞ୍ଜିବା ନିମନ୍ତେ ।
କବି ପରି ଭୋଗା ଦୁର୍ଲଭ ଭୁବନେ,
କଳ୍ପନାରେ ବସେ ଇନ୍ଦ୍ର-ସିଂହାସନେ ।
କଳ୍ପନା-ବିଳାସୀ, କଳ୍ପନା ତା ସୁଖ,
ଦେଖେ ନାହିଁ କେବେ ବାସ୍ତବର ମୁଖ ।
କଳ୍ପନାରେ ଚାଲେ, ବସେ, ହୁଏ ଛିଡ଼ା,
କଳ୍ପନାରେ ରଚେ ବିଦ୍ୟୁ ସଙ୍ଗେ କ୍ରୀଡ଼ା ।
ବୁଲାଇ କଳ୍ପନା ତାକୁ ଚରାଚରେ,
ଅର୍ପେ ନବଭୋଗ ପ୍ରତି ମୁହୂର୍ତ୍ତରେ ।
କବି ବହୁରୂପୀ ବିଦ୍ୟାରେ ପ୍ରବୀଣ,
କେବେ ସେ ପ୍ରାଚୀନ କେବେ ସେ ନବୀନ ।
କେବେ ବା ରସିକ କେବେ ବା ପ୍ରେମିକ,
କେତେବେଳେ କାକ, କେତେବେଳେ ପିକ ।
କେବେ ବା ହାକିମ କେବେ କର୍ମଚାରୀ,
କେବେ ଗୁରୁ କେବେ ଶିଷ୍ୟ-ଭାବଧାରୀ ।
କବି ବୈଦ୍ୟ, ବହେ ଅଶେଷ ଉପାଧି,
ରସଦାନେ ହରେ ଚିତ୍ତ ଗୁପ୍ତ ବ୍ୟାଧି ।
ଅଦ୍ଭୁତ ଜୀବଟି କବି ଏ ମହୀରେ,
କବି ଗୁଣଗାଥା ବର୍ଣ୍ଣି ନୁହେଁ ଗୀରେ ।