ପଦ୍ମିନୀ

ସ୍ୱଭାବକବି ଗଂଗାଧର ମେହେର

 

ପ୍ରକାଶ କାଳ (୧୯୧୦-୧୯୨୦)

୧୯୧୦ ସମ୍ୱଲପୁରରେ ଲେଖା ଆରମ୍ଭ ଓ ୧୯୨୦ ମାଘ ପୂର୍ଣ୍ଣିମା,

ପଦ୍ମପୁରରେ ଲେଖା ଅସମ୍ପୂର୍ଣ୍ଣ ରୂପେ ରଚିତ ।

 

ପ୍ରଥମ ସର୍ଗ

ଜ୍ଞାନାଲୋକପ୍ରଦାୟିନୀ ଭାସ୍ୱତୀ ଭାରତୀ,

ତୋର ଦତ୍ତ ଜ୍ଞାନ-ଦୀପେ ହୁଏ ତୋ’ଆରତି ।

 

ଯେଉଁ ରୂପେ କରିଥାନ୍ତି ସାଗର ତର୍ପଣ,

ସାଗର ସଲିଳ କରି ସାଗରେ ଅର୍ପଣ ।

 

ପବିତ୍ର ଆସନ ତୋର ପ୍ରତିଭା-ପଦ୍ମିନୀ,

ବିକାଶେ ବିନାଶ ହେଲେ ଅଜ୍ଞାତା-ଯାମିନୀ ।

 

ପୁଣ୍ୟବାନ ମାନବର ହୃଦୟ-ସରସୀ,

ସ୍ୱଚ୍ଛ ପୂତ ହୁଏ ତୋର ପୟର ପରଶି ।

 

ପୁଣ୍ୟହୀନ ଜୀବନ ମୋ ଅଜ୍ଞାତାପୂରିତ,

କେମନ୍ତେ ତହିଁରେ ହେବ ପ୍ରତିଭା ସ୍ଫୁରିତ ।

 

ଲଭି ନାହିଁ ଜ୍ଞାନ ମାତ୍ର କରୁଛୁଁ ଭଜନା,

ଲେଖନୀ ବଦନେ କରି ତୋର ନୀରାଜନା ।

 

ଲେଖନୀ ନୁହଇ ମୋର ଧାତୁବିଜଡ଼ିତ,

କେମନ୍ତେ ଟାଣିବ ତୋର ପ୍ରଭାବ ତଡ଼ିତ ।

 

ଭକ୍ତି କରିଥାଏ ବୋଲି ଅସାଧ୍ୟ ସାଧନ

ଦୃଢ଼ମନେ କରୁଅଛି ତୋର ଆରାଧନ ।

 

ଘୃଣି ମୋତେ କରୁଥିବୁ ଯଦି ପଳାୟନ,

ପଛେ ପଛ ଯିବି ହୋଇ ଭକ୍ତିପରାୟଣ ।

 

ସମାନ ସମାନ ନିଶ୍ଚେ ପଡ଼ିବ ତୋ’ ପାଦ,

ସମସ୍ୱରେ ଉଠୁଥିବ ନୂପୁରନିନାଦ ।

 

ସେ ନାଦମାଧୁରୀ କରି ଶ୍ରୁତିପଥେ ପାନ,

ଚାଲୁଥିବି ପାଦ ଚାହିଁ ତୋଷି ତୋଷି ପ୍ରାଣ ।

 

ନଗର ଉପରେ ରାଜେ ଚିତୋର ନଗର,

ଗୌରବ-ମୁକୁଟରୂପେ ଆର୍ଯ୍ୟ-ଗୌରବର ।

 

ଉନ୍ନତ ନଗର ଭଳି ଉନ୍ନତହୃଦୟ-

ବହି, ତହିଁ ରହିଥାନ୍ତି ଲୋକ ସମୁଦୟ ।

 

ସେ ଉଚ୍ଚ ହୃଦୟେ ଉଚ୍ଚ ପ୍ରବୃତ୍ତିସକଳ,

ଅଧିଷ୍ଠିତ ଥା’ନ୍ତି କରି ସ୍ୱବଳ ପ୍ରବଳ ।

 

ପ୍ରବୃତ୍ତିର ବଳେ ଧର୍ମ ହୋଇଥାଏ ଉଚ୍ଚ,

ଧରମ ମଣାଇଥାଏ ଜୀବନକୁ ତୁଚ୍ଛ ।

 

ବିପଦ ସମୟେ ନେଇ ଧରମଶରଣ,

ପୁରବାସୀ କରିଥାନ୍ତି ମରଣବରଣ ।

 

ଯେତେବେଳେ ଯବନର ପ୍ରବଳ ପ୍ରତାପ,

ଭାରତବାସୀଙ୍କ ହୃଦେ ଦେଲା ଘୋର ତାପ ।

 

ଭରତବଂଶର ଧର୍ମ-ପୂତ-ସିଂହାସନେ,

ମାତିଲା ଯବନ ବସି ବିବିଧ ବ୍ୟସନେ ।

 

ଦର୍ପଭରେ ବିନ୍ଧ୍ୟଗିରି ଶିରେ ଦେଇ ପାଦ,

ଦାକ୍ଷିଣାତ୍ୟ ମସ୍ତକରେ ଢାଳିଲା ପ୍ରମାଦ ।

 

ବଳେ କଲା ଦୁର୍ଗମାନ ଭଗ୍ନ ବିଲୁଣ୍ଠିତ,

ସତୀତ୍ୱରତନ ପଦେ ଲଗ୍ନ ବିଲୁଣ୍ଠିତ ।

 

ସେକାଳେ ଚିତୋରବାସୀ ଧର୍ମେ ଥାଇ ବଳୀ,

ଯବନକୁ ମଣୁଥାନ୍ତି ଯୁଦ୍ଧ-ଯଜ୍ଞ-ବଳି ।

 

ନୃପତି ଲକ୍ଷ୍ମଣ ସିଂହ ମଣ୍ଡି ସିଂହାସନ,

ଧର୍ମମତେ କରୁଥାନ୍ତି ସ୍ୱରାଜ୍ୟ ଶାସନ ।

 

ପିତ୍ରାନୁଜ ଭୀମ ସିଂହ ଭୀମ ପରାକ୍ରମ,

ପୃଷ୍ଠରକ୍ଷୀ ଥାଇ ତାଙ୍କ ବଢ଼ାନ୍ତି ବିକ୍ରମ ।

 

ଯେ କାଳେ ଲକ୍ଷ୍ମଣ ସିଂହ ଥିଲେ ବାଳବୟଃ,

ପିତା ତାଙ୍କ ଗମିଥିଲେ ତ୍ରିଦଶ-ଆଳୟ ।

 

ସେ ସମୟେ ଭୀମ ସିଂହ ବହି ରାଜ୍ୟଭାର,

ଲକ୍ଷ୍ମଣେ ଶିଖାଇଥିଲେ ରାଜନୀତି ସାର ।

 

ଯୁବକ ଲକ୍ଷ୍ମଣେ ରାଜନୀତି ବିଚକ୍ଷଣ

ଚାହିଁ କରିଛନ୍ତି ତାଙ୍କୁ ରାଜତ୍ୱ ଅର୍ପଣ ।

 

ଲକ୍ଷ୍ମଣହିଁ ଚଳୁଛନ୍ତି ତାଙ୍କ ଉପଦେଶେ,

ବସି ରାଜସିଂହାସନେ ନରପତି ବେଶେ ।

 

ରାଜ୍ୟେ ଥାନ୍ତି ଭୀମ, ରାଜ-ଜନକ-ସମରେ,

ସେନାପତି ହୋଇଥାନ୍ତି ବିପକ୍ଷ ସମରେ ।

 

ରଖିବାକୁ ତାଙ୍କୁ ପୂର୍ବ ସମ୍ମାନ ସମ୍ଭ୍ରମ,

ନବରେ ନଗରେ ରାଜ୍ୟ ନ ଥାଏ କା’ ଭ୍ରମ ।

 

ଲକ୍ଷ୍ମଣ ସହିତ ଭୀମ ମହାରାଣା ପଦେ,

ଅଧିକାରୀ ଥାନ୍ତି ସଦା ସକଳ ସମ୍ପଦେ ।

 

ଭୀମ ସିଂହ ପ୍ରିୟା ଥିଲେ ମହିଷୀ ପଦ୍ମିନୀ,

ମହୀୟସୀ ସତୀ ପତି-ଚିତ୍ତବିନୋଦିନୀ ।

 

ଜୀବନେ ବା ସ୍ୱଭାବରେ ତାହାଙ୍କ ସହିତ,

ପଦ୍ମିନୀକି ତୁଳିବାର ନ ହୁଏ ବିହିତ ।

 

ସେ ପଦ୍ମିନୀ ରଜନୀରେ ଥାଏ ମ୍ଳାନି ବହି,

ଏ ପଦ୍ମିନୀ ଦିବା-ରାତ୍ର ଥା’ନ୍ତି ଜ୍ୟୋତିର୍ମୟୀ ।

 

ସେ ପଦ୍ମିନୀ ହୃଦ ଫେଡ଼ି ସେବଇ ସବିତା

ଚାଟୁବଶେ ହୁଏ ପୁଣି ଭ୍ରମରେ ସେବିତା ।

 

ଏ ପଦ୍ମିନୀ ହୃଦୟର ପ୍ରେମେ ଅଧିକାର

ଏକା ଭୀମ ସିଂହ ବିନା ନ ଥାଏ କାହାର ।

 

ତାକୁ କେହି ନ ରଖନ୍ତି ନାଶେ ଯେବେ ହିମ

ଏହାଙ୍କୁ ରଖନ୍ତି ସର୍ବ ବିପଦରୁ ଭୀମ ।

 

କେବଳ ମାର୍ଦ୍ଦବ କାନ୍ତି ମାଧୁରୀ ସୌରଭେ,

ସାମ୍ୟ ବହି ସେ ପଦ୍ମିନୀ ଫୁଟଇ ଗୌରବେ ।

 

ରାଜପୁରେ ପଦ୍ମିନୀଙ୍କ ସମ୍ପୂର୍ଣ୍ଣ କ୍ଷମତା,

ବିସ୍ତାରିତ କରିଥାଏ ବାତ୍ସଲ୍ୟ-ମମତା ।

 

ରୂପେ ତାଙ୍କ ପ୍ରମୋଦିତ ରାଣୀଙ୍କ ନବର,

ଗୁଣେ ହୁଏ ଆମୋଦିତ ଚିତୋର ନଗର ।

 

ଯଶ ହୋଇ ପ୍ରଭାବିତ ସମସ୍ତ ମିବାରେ,

ହୁଏ ପୁଣି ପ୍ରଧାବିତ ମହୀ ଭ୍ରମିବାରେ ।

 

ଶସ୍ତ୍ର ହୁଏ ଆଲୋକିତ ରାଣା ବୀରଗଣେ,

ଶାସ୍ତ୍ର ହୁଏ ଆଲୋଚିତ ଶୁଦ୍ଧାନ୍ତ ପ୍ରାଙ୍ଗଣେ ।

 

ରାଜପୁରେ ହେଉଥାଏ ନିତି ରାମାୟଣ,

ପାଠ କରୁଥାନ୍ତି ତାହା ସ୍ଥବିର ବ୍ରାହ୍ମଣ ।

 

ଉଚ୍ଚାରି ସଂସ୍କୃତ ଶ୍ଲୋକ ସ୍ୱଭାଷାରେ ଅର୍ଥ,

ବୁଝାଇଦେବାରେ ଥା’ନ୍ତି ପାଠକ ସମର୍ଥ ।

 

ଯବନିକା ଅନ୍ତରାଳେ ପୁରବାମାଗଣ,

ବସି କରୁଥାନ୍ତି ସେହି ଶ୍ଲୋକାର୍ଥ ଶ୍ରବଣ ।

 

ବାଳକ ବାଳିକାମାନେ ଥାଇ ତାଙ୍କ ପାଶେ,

ପରସ୍ପରେ ଲାଗିଥାନ୍ତି ସୁମଧୁର ଭାଷେ ।

 

ବେଳେବେଳେ ନିଜ ପ୍ରଶ୍ନ ସମାଧାନ ପାଇଁ,

ଦେଉଥାନ୍ତି ଜନନୀଙ୍କ ଚିବୁକ ହଲାଇ ।

 

କାହିଁ ବା ସଙ୍ଗିନୀଯୁଗ ବସି ପରସ୍ପରେ,

ଆଳାପରେ ଲାଗିଥାନ୍ତି ଭିତରେ ଭିତରେ ।

 

ଦିନେ ପାଠସାରି ଉଠିଗଲାରୁ ବ୍ରାହ୍ମଣ,

ଆଲୋଚନାରତ ହେଲେ ପୁରାଙ୍ଗନାଗଣ ।

 

ପଦ୍ମିନୀଙ୍କି ପଚାରିଲେ ଲକ୍ଷ୍ମଣଙ୍କ ରାଣୀ,

‘‘କାକି, ତୁମ୍ଭେ ଲଙ୍କା କଥା ସବୁଥିବ ଜାଣି ।

 

ଅଛନ୍ତି କି ରାଜା ରୂପେ ଚହିଁ ବିଭୀଷଣ,

ଅଟନ୍ତି କି ରକ୍ଷଗଣ ବିକଟ ଭୀଷଣ ?

 

ହୋଇଛି କି ସ୍ୱର୍ଣ୍ଣକାନ୍ଥେ ସେମାନଙ୍କ ଘର,

ଗ୍ରାସନ୍ତି କି ରକ୍ଷେ ପାଶେ ହାବୋଡ଼ିଲେ ନର ।

 

ପର୍ବତର ସେତୁ ସତେ ଅଛି କି ସାଗରେ,

ଅଇଲ ସେ ପଥେ କିବା ଆରୋହି ନାବରେ ?

 

ସୁବଳ ନାମରେ ଗିରି ଅଛି କି ତହିଁରେ,

ରହିଥିଲେ ରାମ ସୈନ୍ୟ ସହିତ ଯହିଁରେ ?

 

ମହାର୍ଣ୍ଣବ ବେଢ଼ିଛି କି ଲଙ୍କା ସମନ୍ତାତ,

ସ୍ନାନ କି କରନ୍ତି ତହିଁ ନିତି ତୁମ୍ଭ ତାତ ?

 

ସାଗର କେମନ୍ତ ଦିଶେ କେତେ ତହିଁ ଜଳ,

ଦିଶଇ କି ନାହିଁ ତାର ସେପାରି କି ସ୍ଥଳ?’’

 

ପଦ୍ମିନୀ କହିଲେ ହସି ରାଣୀଙ୍କି ଉତ୍ତର;

‘‘ବିଭୀଷଣ ନାମେ ତହିଁ ନାହିଁ ନରବର ।

 

ସେଠାରେ ଅମର ହୋଇ କେହି ରାଜପଣ,

କରୁଥିବା ନ ଜାଣନ୍ତି ପୁରବାସୀଗଣ ।

 

ନୁହନ୍ତି ସେଠାରେ ଲୋକେ ବିକଟ ଭୀଷଣ,

ଅଛନ୍ତି ସରଳ ନର ସୁଧର୍ମ୍ମଭୂଷଣ ।

 

ସୁବର୍ଣ୍ଣର କାନ୍ଥ ତହିଁ ନାହିଁ କାହା ଘରେ,

ଅଛି ଚୂନଲିପା କାନ୍ଥ ଦଗ୍‌ଧ ଇଷ୍ଟକରେ ।

 

ନ କରନ୍ତି କେହି ତହି ମାନବ ଭକ୍ଷଣ,

ଜୀବହିଂସା ସେ ଦେଶର ଅଧର୍ମ୍ମ ଲକ୍ଷଣ ।

 

କିନ୍ତୁ ଶୁଣିଥିଲି ଏହି ଭାରତମଣ୍ଡଳ,

ଅସୁର-ବିପ୍ଳବେ ହେଉଅଛି କଲବଲ ।

 

କେଉଁ ଦିଗୁଁ ଆସି ପରା ନିଶାଚରଗଣ,

ସୁନ୍ଦରୀ ଯୁବତୀ ଦେଖି କରନ୍ତି ହରଣ ।

 

ଭାଙ୍ଗିଦେଇଥାନ୍ତି ବଡ଼ ବଡ଼ ଦେବାଳୟ,

କରନ୍ତି ହରଣ ଦେବ ଧନରତ୍ନଚୟ ।

 

ସେ କଥା ଶ୍ରବଣେ ମୋର ଜନ୍ମିଥିଲା ଭୟ,

ଜନକ ଫେଡ଼ିଲେ ମୋର ସକଳ ସଂଶୟ ।

 

ବୋଇଲେ ଦେବତା, ନର, ନିଶାଚରମାନେ

ଜନ୍ମ ଲଭିଥାନ୍ତି ଧରାତଳେ ସବୁ ସ୍ଥାନେ ।

 

ଚକ୍ଷୁକୁ ଦିଶନ୍ତି ସର୍ବେ ମାନବ ଆକାର

ଦିଏ ଜାତି ପରିଚୟ ତାହାଙ୍କ ଆଚାର ।

 

ଦୁଃଖ ସହି କରଇ ଯେ ଲୋକ ଉପକାର,

କରଇ ଲୋକଙ୍କୁ ନାନା ବିପଦୁ ଉଦ୍ଧାର,

 

ଉପାୟେ ଅର୍ଜନ କରିଦିଏ ପରଧନ,

ପରଦୁଃଖ ଧ୍ୱଂସି କରେ ସୁଖ ବରଧନ,

 

ଜ୍ଞାନ କରି କରିଥାଏ ଜ୍ଞାନ ବିତରଣ,

ତା’ ଜୀବନ ଦେବତାଙ୍କ ଶୁଭବତରଣ ।

 

ଯେଉଁ ଲୋକ ନ କରଇ ପର-ଅପକାର,

ପର-ଦାରେ କରିଥାଏ ଜନନୀ ବିଚାର

 

ଧର୍ମପଥେ ଥାଇ କରେ ଧନ ଅରଜନ,

ନ ବଳାଏ ମନ ତହିଁ ଚାହିଁ ପରଧନ,

 

ଗୁରୁଜନେ ମାନ୍ୟ କରି କରିଥାଏ ଘର,

ଜ୍ଞାନୀ-ଜନ ଚାହିଁ ସଦା କରେ ସମାଦର,

 

ପାପକର୍ମ୍ମେ ନିରନ୍ତର ଥାଏ ତାର ଡର,

ଚିହ୍ନିଥିବ ସେ ଲୋକଟି ପ୍ରକୃତରେ ନର ।

 

ପରଦୁଃଖ ଦେଖି ଯା’ର ମନେ ହୁଏ ସୁଖ,

ପରେ ଦୁଃଖ ପ୍ରଦାନେ ଯେ ନ ହୁଏ ବିମୂଖ,

 

ଅତ୍ୟାଚାର କରିଥାଏ ପର ନାରୀ ପ୍ରତି,

ପରଧନ ଛଳେବଳେ ଗ୍ରହଣେ ଯା’ ମତି,

 

ପଙ୍କରେ ମହିଷ ପ୍ରାୟେ ପାପେ ଯେ ମଗନ,

ଭୀଷଣ ରାକ୍ଷସ ବୋଲି ସେ ଲୋକକୁ ଗଣ ।

 

ନ ଦିଶେ ସାଗର ଥିଲେ ମୋ’ ପିତୃନଗରେ,

ମୋ ପିତା କରନ୍ତି ସ୍ନାନ ନଦୀ-ତଡ଼ାଗରେ ।

 

ସେ ଦେଶରୁ ଏ ଦେଶକୁ ମୋର ଆସିବାର

ସମୟରେ ପଡ଼ିଥିଲା ପଥେ ପାରାବାର ।

 

ଲଘିଂଲି କାନନ ଗିରି ସୁବଳ କୁବଳ,

ଚିହ୍ନିବାକୁ ନ ଥିଲା ମୋ ମନେ କୌତୂହଳ ।

 

ଯେତେବେଳେ ପ୍ରବେଶିଲି ପାରାବାରତୀରେ,

ଶିବିକାରୁ ଓହ୍ଲାଇଲି ନତମୁଖେ ଧୀରେ ।

 

ଯବିନକା ଅନ୍ତରାଳେ ସହଚରୀ କରେ

କର ଦେଇ, ନୀଚ ହେଲି ରମ୍ୟ ଏକ ଘରେ

 

ସୁକୋମଳ ମଖମଲଷ ଆସ୍ତୃତ ତା’ ତଳ,

ଆସନହିଁ ଥିଲା ତହିଁ ସୁରମ୍ୟ କୋମଳ ।

 

ମଖମଲ ଭିତ୍ତିପଟେ ସୁବର୍ଣ୍ଣର ଲତା,

ରତ୍ନଫୁଲେ ବଢ଼ୁଥାଏ ତାର ମଞ୍ଜୁଳତା ।

 

ବର୍ଣ୍ଣ ଅନୁରୂପ ରତ୍ନ ବିରଚିତ ଅଙ୍ଗେ,

ସଜୀବତା ଭ୍ରାନ୍ତି ଦେଇ କ୍ରୀଡ଼ନ୍ତି ବିହଙ୍ଗେ ।

 

ଉର୍ଦ୍ଧ୍ୱପଟ ସେହିପରି ଥିଲା ମନୋହର

ମାଳ ମାଳ ଝୁଲୁଥାଏ ରତନ ଝାଲର ।

 

ଲମ୍ୱତି ରତନ ପୁଷ୍ପେ ଲମ୍ୱିତ ଭ୍ରମରେ,

ପ୍ରଥମେ ମୁଁ ସତ୍ୟ ମଣିଥିଲି ତା’ ଭ୍ରମରେ ।

 

ସୁଖାସନେ ବସି ତହିଁ ସଲଜ୍ଜ ନୟନେ,

ଅନାଇଲି ଭିତ୍ତିପଟ ଗବାକ୍ଷ ଅୟନେ ।

 

ଜଳର ଡୁଙ୍ଗରିମାନ କରି କରି ନାଟ,

ଆସିଯାଇ କରୁଛନ୍ତି ବିଷମ ବିଭ୍ରାଟ ।

 

ଗୃହ କେଉଁଠାରେ ଥାଇ ଲୋକ ଏକ ଦଳ,

‘ଜୟ ରାମଚନ୍ଦ୍ର’ ନାଦେ କରନ୍ତି ଚହଳ ।

 

ଦୂରକୁ ଦିଶିଲା ନୀଳ ଅଚଳ କାନନ,

କ୍ଷୁଦ୍ର କ୍ଷୁଦ୍ର ବୃକ୍ଷ ତହିଁ ଲାଗିଥାଏ ଘନ ।

 

ଦୂରତରେ ଦୃଷ୍ଟ ହେଲା ଉଚ୍ଚ ପରବତ,

ଦୂରତମେ ନୀଳନଭେ ହେଲା ପରିଣତ ।

 

ସେହିପରି ଦୃଶ୍ୟ ପୁଣି ବିଲୋକଲି ଥରେ,

ଅନ୍ୟ ପାଖ ଭିତ୍ତିପଟ ଗବାକ୍ଷ-ପଥରେ ।

 

ମଧ୍ୟେ ମଧ୍ୟେ କିନ୍ତୁ ଖଣ୍ଡେ ଖଣ୍ଡେ ପରବତ,

ଉପରକୁ କରିଥାନ୍ତି ମସ୍ତକ ଉନ୍ନତ ।

 

ଏକ ଦିଗ ଏକ ମୁଖେ ବେଗେ ଥା’ନ୍ତି ଧାଇଁ,

ଆଚମ୍ୱିତ ହେଲି ତାଙ୍କ ବ୍ୟଗ୍ରଗତି ଚାହିଁ ।

 

ନିକଟ ପ୍ରକୋଷ୍ଠେ ଥିଲେ ମହାରାଣା ବସି,

ମୋ ନିକଟେ ଉପଗତ ହୋଇ ହସି ହସି,

 

ବୋଇଲେ ସଖି ଗୋ, ଏ ଯେ ଦେଖୁଛ ପର୍ବତ

ଏହା ରାମଚନ୍ଦ୍ରଙ୍କର ସେତୁବନ୍ଧ-ପଥ ।

 

ଏହି ପଥେ ରାଘବେନ୍ଦ୍ର ଲଘିଂ ପାରାବାର,

ନାଶିଲେ ରାବଣ ସହ ତାର ପରିବାର ।

 

ବାହୁଡ଼ିଲେ ସୀତା ଘେନି ପୁଷ୍ପକ ରଥରେ,

ସୈନ୍ୟ ସହ ଅଯୋଧ୍ୟାକୁ ପୁଷ୍ପର ପଥରେ ।

 

ଆଜି ମୁହିଁ ଭାଗ୍ୟବଳେ ତୁମ୍ଭ ସଙ୍ଗ ଲଭି,

ରାଘବେନ୍ଦ୍ର ଗଉରବେ ହୋଇଛି ଗୌରବୀ ।

 

ସେ ବଚନେ କରି ମହିଁ ତଳକୁ ମଦନ,

ନିଜ ଭାଗ୍ୟ ବିଜ୍ଞାପିଲି ବିକାଶି ରଦନ ।

 

ଜାଣି ମୋ ଆକାଂକ୍ଷା ପୁଣି କଥା ଆକର୍ଣ୍ଣନେ,

ଲାଗିଲେ ନରେଶ ସେତୁ ବିଷୟ ବର୍ଣ୍ଣନେ ।

 

ବୋଇଲେ ସୁଶୀଳେ, ଖଣ୍ଡ ଖଣ୍ଡ ପରବତ,

ମଜ୍ଜିଅଛି ମଧ୍ୟେ ମଧ୍ୟେ ସେତୁବନ୍ଧ-ପଥ ।

 

ଥିଲା ଉଚ୍ଚ ବାଲି , ମାଟି, ପାଦପ, ପଥରେ

ଭାଙ୍ଗିଯାଇଅଛି ସିନ୍ଧୁ ତରଙ୍ଗାଘାତରେ ।

 

ଯୁଗେ ଯୁଗେ କ୍ରମେ କ୍ରମେ ହୋଇ ହୋଇ ତନୁ,

ହୋଇଛି ସାଗର-ସାତ ସେତୁବନ୍ଧ-ତନୁ ।

 

ତନୁ ଗଲେ କିସ ହେଲା ବଢୁଛି କୀରତି,

ଏହିରୂପେ ବଢ଼ିଥାଏ ଆଦର୍ଶ ପୀରତି ।

 

ତାଙ୍କ ସେ ବଚନ ଶୁଣି ମୁଁ ହୋଇ ଲଜ୍ଜିତ,

ଆନନ୍ଦ-ସାଗରେ ହୋଇଗଲି ନିମଜ୍ଜିତ ।

 

ପିତାପୁରେ ମୋର ମଧ୍ୟ କରିଛି ଶ୍ରବଣ,

ଏହିପରି ପଣ୍ତିତଙ୍କ ମୁଖୁଁ ରାମାୟଣ ।

 

ତହିଁ ଯାହା ହୋଇଅଛି କଳିକା ଆକାର,

ଏଥି ଫୁଟି କରୁଅଛି ସୌରଭ ପ୍ରସାର ।

 

ସେତୁ ଚିହ୍ନ ଗିରି ମାତ୍ର ମୋ’ ନେତ୍ର-ପଥିକ,

ଶ୍ରୁତିପ୍ରୀତିକର ଆଉ ଯେସବୁ ଅଧିକ ।

 

ସେ ଦେଶେ ମିଳଇ ବହୁ ନାରୀକେଳ ଫଳ,

ଏ ଦେଶରେ ବଟତରୁଛାୟା ସୁଶୀତଳ ।’’

 

ଶୁଣି ରାଣୀ ହସି ହସି ବୋଇଲେ, ‘‘ଗୋ କାକି,

ହାତୀଧରା କଥା ଏବେ ରହିଗଲା ବାକି ।’’

 

ପଦ୍ମିନୀ ବୋଇଲେ, ‘‘ତୁମ୍ଭେ ଶୂକରଶିକାର,

ବିଷୟ ବର୍ଣ୍ଣିବା ପାଇଁ କରିଛ ସ୍ୱୀକାର ।

 

କହିବ କାଳିକି’’ ବୋଲି ଉଠି ହସି ହସି,

ଚାଲିଗଲେ ସ୍ୱ-ସଦନେ ପରମ ରୂପସୀ ।

 

ରାଣୀ ହସି ଉଠିଗଲେ ସ୍ୱକୀୟ ସଦନ,

ସେହିରୂପେ ହସି ଗଲେ ଅନ୍ୟ ବାମାଗଣ ।

 

ଦ୍ୱିତୀୟ ସର୍ଗ

ଭାରତର ରାଜଧାନୀ ଦିଲ୍ଲୀ ସିଂହାସନେ,

ଯବନସମ୍ରାଟ ରାଜେ ମଦମତ୍ତ ମନେ ।

 

ଅଭିହିତ ହୁଏ ଆଲ୍ଲାଉଦ୍ଦୀନ ନାମରେ ,

ଅଧମ ପ୍ରବୃତ୍ତି ପୋଷେ ହୃଦୟ-ଧାମରେ ।

 

ଜୀବନେ ପୂରିଛି ତାର ଅଧର୍ମ-ତିମିର,

ତାରକା ସଦୃଶ ରତ୍ନେ ମଣ୍ଡିତ ଶରୀର ।

 

ମାନସ ହୋଇଛି ତାର ଅମାବାସ୍ୟା-ତିଥି,

ବୁଡ଼ିଛି ବିବେକ ରୂପ ସହସ୍ର-ଦୀଧିତି ।

 

ତହିଁ ସଙ୍ଘେ ଯାଇଅଛି ନ୍ୟାୟ କଳାକର,

ପ୍ରତାପ ନିଦାଘ ତାର ଦୁର୍ଦ୍ଦମ ପ୍ରଖର ।

 

ଲାଗିଛି ତା’ ଦ୍ୱେଷାନଳ ଆର୍ଯ୍ୟ-କୁଳାଚଳେ,

ପଡ଼ୁଛି ସତୀତ୍ୱ-ଫୁଲ ତାହାରି କବଳେ ।

 

ନୀଚ ଲୋକ ପାଏ ଯଦି ବଡ଼ ଅଧିକାର,

ନ ଥାଏ ତା’ ପାପ ପୁଣ୍ୟେ ବିବେକ ବିଚାର ।

 

ଜଲାଲଉଦ୍ଦୀନ ଥିଲେ ଦିଲ୍ଲୀ ଅଧିଶ୍ୱର,

ଏ ଆଲ୍ଲାଉଦ୍ଦୀନ ଥିଲା ଦାସ ତାହାଙ୍କର ।

 

ଖଳମତି କୁପ୍ରବୃତ୍ତି କରି ବଳବତୀ,

କଉଶଳେ ହୋଇଗଲା ରାଜ ସେନାପତି ।

 

ପବନକୁ ଲୋଡ଼ୁଥାଏ ଯେମନ୍ତ ଅନଳ,

ଯବନସମ୍ରାଟ ତାକୁ ପାଇଗଲେ ବଳ ।

 

ସେ ପବନ ଆଣେ ଯେବେ ପ୍ରବଳ ବରଷା,

ନ ଭାବିଲେ ଅନଳର ହୁଏ ଯେଉଁ ଦଶା ।

 

ଦାକ୍ଷିଣାତ୍ୟ ସେବଗିରି ଲୁଣ୍ଠନ କାରଣ,

କଲେ ଆଲ୍ଲାଉଦ୍ଦୀନକୁ ସମ୍ରାଟ ପ୍ରେରଣ ।

 

ଦେବଗିରି ଲୁଟି ଗେନି ଧନରତ୍ନରାଶି,

ବାହୁଡ଼ିଲା ଆଲ୍ଲା ପଦ-ମଦ-ସ୍ରୋତେ ଭାସି ।

 

ସେହି ଧନରତନକୁ ଗ୍ରାସିଲା ତା’ ଲୋଭ,

କିନ୍ତୁ ରାଜପ୍ରାପ୍ୟ ବୋଲି ଆକ୍ରମିଲା କ୍ଷୋଭ ।

 

ଲୋଭ ସଙ୍ଗେ ମିଶି ତାର କପଟ କୌଶଳ,

ସହଜେ ବଢ଼ାଇଦେଲା ପାପବୁଦ୍ଧିବଳ ।

 

ବିଶ୍ୱାସଘାତପ ପୁଣି ପ୍ରଭୁର ଘାତକ,

ହେବା ପାଇଁ ଶିକ୍ଷାଦେଲା ତାହାକୁ ପାତକ ।

 

ବୋଇଲା ସମ୍ରାଟ ତୁଳେ କ୍ଷୋଭ କରି ନାଶ,

ରାଜଲକ୍ଷ୍ମୀ-କୋଳେ କର ସ୍ୱାଧୀନ ବିଳାସ ।

 

ସେ ମୋହନେ ମଜ୍ଜି ଆଲ୍ଲା ବାହୁଡ଼ିବା ପଥେ,

ଭାବିଲା ରତନ ଯେତେ ଅଛି ମୋର ହସ୍ତେ ।

 

କେତେ ବଳେ ଛଳେ ଏହା କରିଛି ଅର୍ଜ୍ଜନ,

ଯଦ୍ୟପି କରିବି ରାଜଭଣ୍ଡାରେ ଅର୍ପଣ ।

 

ଘରେ ବସି ବୃଦ୍ଧ ରାଜା ଭୋଗିବ ସକଳ,

ତା’ପରେ ଭୋଗିବ ତାର କୁମର କେବଳ ।

 

ଯେତେ ରତ୍ନ ଦେଖି ନାହିଁ ବୃଦ୍ଧ ସ୍ୱ-ଜୀବନେ,

ମୋ ଭୁଜ ବିକ୍ରମେ ଆଜି ଲଭିବ ଭବନେ ।

 

ନିଜେ ଯଦି ଯାଇଥାନ୍ତା ଏ ଧନଲୋଭରେ,

ନିଶ୍ଚେ ପ୍ରାଣ ଦେଇଥାନ୍ତା ପରିପନ୍ଥୀ କରେ ।

 

ଯଦିବା ନ ମରିଥାନ୍ତା ଅନ୍ତିମ ସମୟ,

ନିକଟ ହେଲାଣି ଆସି ଅଶୀ ବର୍ଷ ବୟଃ ।

 

ଅଳ୍ପଦିନେ ସିଂହାସନେ ବସିବ ତା’ ସୁତ,

ସହଜେ ପାରିବ କରି ମୋତେ ପଦଚ୍ୟୁତ ।

 

ମୋ’ ଅର୍ଜିତ ଧନରତ୍ନେ ବସି କରି କ୍ରୀଡ଼ା,

ପ୍ରଭୁ ହୋଇ ମୋ ଜୀବନେ ଦେଉଥିବ କ୍ରୀଡ଼ା ।

 

ମୂର୍ଖ ହେଉ, ପାପୀ ହେଉ ରାଜାର ନନ୍ଦନ,

ସିଂହାସନେ ବସି ହୁଏ ଜଗତବନ୍ଦନ ।

 

ଥାଉଁ ଥାଉଁ ନିଜ ବୁଦ୍ଧିବଳ ବାହୁବଳ,

ପ୍ରଜାରୂପେ ହେଉଥାଏ ନର କଲବଲ ।

 

ସର୍ବ ଦଳବଳ ଆଜି ମୋର ଆଜ୍ଞାଧୀନ,

କାଲି ପୁଣି ହୋଇଯିବି ଭୃତ୍ୟଠାରୁ ହୀନ ।

 

କି କରିପାରିବ ବୃଦ୍ଧ ନ ଦେଲେ ଏ ଧନ,

ଏହି ଧନବଳେ ତାର ସାଧିବି ନିଧନ ।

 

ଏହିଠାରେ ଅଛି ମୋର ପୂର୍ଣ୍ଣ ପରାକ୍ରମ,

ଦିଲ୍ଲୀ ଗଲେ ପଣ୍ଡ ହେବ ମୋ’ ସକଳ ଶ୍ରମ ।

 

ଏହିଠାରେ ମୋ ଉପରେ ସ୍ୱାମୀ ନାହିଁ କେହି,

ଦିଲ୍ଲୀ ଗଲେ ଭୃତ୍ୟ ହେବି ଧନରତ୍ନ ଦେଇ ।

 

କାଳ ଜାଣି କର୍ମ କଲେ ଫଳଇ ସଫଳ,

ସବୁବେଳେ ନ ପାରଇ ରହି ଭାଗ୍ୟବଳ ।

 

ମୋହଠାରେ ଅଛି ଆଜି ଯେଉଁ ଧନପଣ,

ଛାଡ଼ିଲେ ହସିବେ କାଲି କାପୁରୁଷଗଣ ।

 

ଜନମି ନ ଥାଏ କେହି ରାଜଛତ୍ର ଧରି,

ପରାକ୍ରମୀ ଚାହିଁ ନିଏ ରାଜଲକ୍ଷ୍ମୀ ବରି ।

 

ଜଲ୍ଲାଲର କେଉଁ ବାପ ଥିଲା ରାଜପଦେ,

ସେ ତ ଦିଲ୍ଲୀ ଦଳୁଅଛି ଆସି ଆଜି ପଦେ ।

 

କପଟେ କାଇକୋବାଦେ ଦେଇ ବିଷାଶନ,

ଭୃତ୍ୟ ଥିଲା, ମାଡ଼ି ବସିଅଛି ସିଂହାସନ ।

 

ପର ରାଜ୍ୟ ବଳେ ନେଲେ କିଛି ନାହିଁ ପାପ,

ସୁଯୋଗ ଛାଡ଼ିଲେ ପରେ ମିଳଇ ସନ୍ତାପ ।

 

ଯା’ର ବେଶୀ ପରାକ୍ରମ ରାଜ୍ୟହିଁ ତାହାର,

ସିଂହ କରିଦିଏ ବନୁ ବ୍ୟାଘ୍ରକୁ ବାହାର ।

 

ରାଜଲକ୍ଷ୍ମୀ ନ ବାରଇ ପାପୀ ପୁଣ୍ୟବାନ,

ପ୍ରଚଣ୍ଡ ଯା’ ଖଡ୍‌ଗ ତାର ଅଙ୍କେ କରେ ସ୍ଥାନ ।

 

ସମ୍ରାଟ ଶ୍ୱଶୁର ମୋର ତହିଁ ପିତୃଭ୍ରାତା,

ମୁଁ ଖଡ୍‌ଗ ଧଇଲେ ତାର ନଥିବ କେ ତ୍ରାତା ।

 

ଜାତି ବନ୍ଧୁ ନାଶେ ନାହିଁ ବୀରଧର୍ମେ ଦୋଷ,

ତହିଁପାଇଁ ରାଜଲକ୍ଷ୍ମୀ ନ କରନ୍ତି ରୋଷ ।

 

ପିତୃବ୍ୟ ମାତୁଳ ଗୁରୁ ପିତାମହ ନାଶି,

ହୁଅନ୍ତି ଭାରତେ ରାଜଲକ୍ଷ୍ମୀ-ଅଭିଳାଷୀ ।

 

ଆଜ ରାଜଲକ୍ଷ୍ମୀଙ୍କର ମୋହନ ମନ୍ତର,

ଶ୍ରବଣେ ମୋହର ପଡ଼ୁଅଛି ନିରନ୍ତର ।

 

ଭାଗ୍ୟେ ଯାଇଥିଲି ଦେବଗିରି ଆକ୍ରମଣେ,

ଭାଗ୍ୟେ ନ ପଡ଼ିଲି ରବି-ସୁତ-ସଂକ୍ରମଣେ ।

 

ଭାଗ୍ୟ ମୋର ହୋଇଅଛି ଉଜ୍ଜ୍ୱଳ ଉଦୟ,

ନ ପାରିବି ହେଳି ଏହି ଭାଗ୍ୟର ସମୟ ।

 

ନ ଛାଡ଼ିବି ଧନ ରତ୍ନ ନେବି ରାଜପଣ,

ନିଜେ ଆସି ମରୁ ବୃଦ୍ଧ ସମ୍ରାଟ ଆପଣ ।

 

ଜାଣଇଁ ମୁଁ ବୃଦ୍ଧ ନୃପ ଅତୀବ କୃପଣ,

ସେହିପରି ଲୁବ୍‌ଧ ହୁଏ ଚାହିଁ ପରଧନ ।

 

ତା’ ଲୋଭ-ଗରଭେ ଧନ ପୂରାଇବା ପାଇଁ,

ହୋଇଅଛିଁ ସିନା ମୁହିଁ ପଦ-ମଦ୍ୟପାୟୀ ।

 

କହନ୍ତି ଲୋଭରୁ ପାପ, ପାପରୁ ମରଣ,

ହେଉ ବୃଦ୍ଧ ନରପତି ତା’ ଉଦାହରଣ ।

 

କେତେ ଲୋକ ନଷ୍ଟହେଲେ, ତା’ ଲୋଭର ଲାଗି

ମରୁ ବୃଦ୍ଧ ହୋଇ ଏବେ ସେ ପାପର ଭାଗୀ ।

 

ଲୁବ୍‌ଧକର ଘଣ୍ଟିନାଦେ ମୁଗ୍‌ଧ ମୃଗ ପରି,

ମଧୁର ବଚନେ ତାକୁ ଦିଏଁ ଲୁବ୍‌ଧ କରି ।

 

ବଡ଼ିଶର ଖାଦ୍ୟ କରେ ମୀନ ଆକର୍ଷଣ,

ଭଲ ରତ୍ନ କିଛି ଦିଏ ଉପଢ଼ଉକନ ।

 

ନାଦ ସ୍ୱାଦ ମୋହେ ଧାଇଁଆସୁ ମୋର ପାଶ,

ଏଠାରେ ଲଗାଇ ଦେବି ଶମନର ପାଶ ।

 

ଏହିରୂପେ ଭାବି ନିଜ ପୀଡ଼ା କରି ଛଳ,

ଲେଖିଲା ପତର ବୃଦ୍ଧ ସମ୍ରାଟ୍‌କୁ ଖଳ ।

 

‘‘ଭୋ ମହାମହିମ ଦେବ ଦିଲ୍ଲୀ ଅଧୀଶ୍ୱର,

ଅଧୀନ ମୁଁ ଘେନି ତୁମ୍ଭ ଶୁଭାଶିଷ ବର ।

 

ଜୟ ଆଶେ ଦାକ୍ଷିଣତ୍ୟ କରି ଅଭିଯାନ,

ଚୂର୍ଣ୍ଣ କଲି ଦେବଗିରି-ପତି ଅଭିମାନ ।

 

ଦୁର୍ଗଦେବୀ ଧରିଥିଲା ଯେ ଅବଗୁଣ୍ଠନ,

ବଳେ ଫେଇ କଲି ତାର ଭୂଷଣ ଲୁଣ୍ଠନ ।

 

ବିବିଧ ଭୂଷଣପୂର୍ଣ୍ଣ ବିବିଧ ରତନେ,

ଛାମୁକୁ ନେଉଛିଁ ସବୁ ଅତୀବ ଯତନେ ।

 

କିନ୍ତୁ ଦେବ ଲେଖିବାକୁ ହେଉଛି ବ୍ରୀଡ଼ିତ,

ଯାଇପାରୁ ନାହିଁ ପଥେ ହେବାରୁ ପୀଡ଼ିତ ।

 

ସାମନ୍ତସକଳ ଏଣେ ଲୋଭେ ଭରି ମନ,

ରତ୍ନ ବାଣ୍ଟିଦିଅ ବୋଲୁଛନ୍ତି ଘନ ଘନ ।

 

ସେନା ତ ଅଛନ୍ତି ଏଥି, ଏକା କରି ବିଜେ,

ରତ୍ନରାଶି ହସ୍ତଗତ କରିନିଅ ନିଜେ ।

 

ରତ୍ନ ଫୁଲ ସବୁ ବଡ଼ କଷ୍ଟେ ଅବଚିତ,

ବିଳମ୍ୱିଲେ ହୋଇପାର ଲାଭରୁ ବଞ୍ଚିତ ।

 

ପୋଷୁଛ ଦାସକୁ ଦେବ ଦେଇ ବରତନ,

ପେଷିଲି ଲୁଚାଇ ତେଣୁ ଲୋଚାଏ ରତନ ।

 

ଅଶେଷ ରତନ ଅଛି ରାଜପ୍ରାପଣୀୟ,

ଜଣାଇଲି ଲେଖି ପତ୍ର ଅତି ଗୋପନୀୟ ।’’

 

ପତ୍ର ସହ ପଠାଇଲା କେତେକ ରତନ,

ଲୋଭେ ଯହିଁ ମଜ୍ଜିଯିବ ସମ୍ରାଟର ମନ ।

 

ସମ୍ରାଟ ରତନ ସହ ପତ୍ରଟିକୁ ପାଇ,

ମୁଗ୍‌ଧ ଲୁବ୍‌ଧ ହୋଇଗଲେ ଅଶ୍ୱ ଚଢ଼ି ଧାଇଁ

 

ପ୍ରବେଶିଲେ ଯାଇ ଆଲ୍ଲାଉଦ୍ଦୀନ ଶିବିର,

ଥିଲା ତହିଁ ଗୁପ୍ତ ରିପୁ ଧର୍ମ୍ମଧ୍ୱଂସା ବୀର ।

 

ସାଦରେ ବସାଇ ଆଲ୍ଲା ରମ୍ୟ ସିଂହାସନେ,

ଭୁଲାଇଲା ସମ୍ରାଟ୍‌କୁ ମଧୁର ଭାଷଣେ ।

 

ଯେଉଁରୂପେ ଦେବଗିରି ଦୁର୍ଗ କଲା ଜୟ,

ବର୍ଣ୍ଣିଲା ସକଳ ହୋଇ ପ୍ରଫୁଲ୍ଲ ହୃଦୟ ।

 

ପ୍ରଚଣ୍ଡମୂରତି ଘେନି ହୋଇ ଅବିନୟ,

ଉଲଙ୍ଗ ଖଡ଼ଗ ଧରି କଲା ଅଭିନୟ-

 

ବୋଲି ଏହିରୂପେ କଲି ପରିପନ୍ଥୀ ନାଶ,

ଛେଦିଲା ସମ୍ରାଟ୍‌ ଶିର ମନୁ ତେଜି ତ୍ରାସ ।

 

ଯେ ଖଡ଼୍‌ଗ ଥିଲା ତାର ପ୍ରଭୁର ପ୍ରସାଦ,

ସେ ଖଡ଼୍‌ଗେ ଘଟାଇଲା ପ୍ରଭୁର ପ୍ରମାଦ ।

 

ପ୍ରଭୁର ଭକତ ଲୋକେ ହୁଅନ୍ତି ଜଗତେ,

ଅଭିଷିକ୍ତ ହେଲା ଆଲ୍ଲା ପ୍ରଭୁର ରକତେ ।

 

ସୈନ୍ୟ ସହ ଆସି କରି ଦିଲ୍ଲୀ ଅଧିକାର,

ଭରିଅଛି ହୃଦୟରେ ସବୁ ଅବିଚାର ।

 

ଗୁର୍ଜ୍ଝରମହିଷୀ କରି ପ୍ରୀତି ଉଚ୍ଚାରଣ,

ନିର୍ବିକାରେ କରୁଛନ୍ତି ତା’ ପଦଚାରଣ ।

 

ରତନପ୍ରଭାରେ ତାର ପୁର ଆଲୋକିତ,

ବ୍ୟସନ ସମ୍ଭାର ସଦା ହୁଏ ଆଲୋଡ଼ିତ ।

 

ବିବିଧ କୁସୁମେ ପୁର ହୋଇ ସୁବାସିତ,

ଗଣିକା-ଗାୟନେ ହେଉଅଛି ଉଭାସିତ ।

 

ପିଞ୍ଜରସ୍ଥ ପକ୍ଷୀ ଶିଖି କରି ଉଚ୍ଚ ତାନ,

ପୁନଃ ପୁନଃ କରୁଅଛି ପ୍ରେମଗୀତ ଗାନ ।

 

ଥରେ ରତ୍ନଭୂଷା ଥରେ କୁସୁମ ଭୂଷଣେ

ବାମାବୃନ୍ଦ ଲାଗିଛନ୍ତି ନୟନ ତୋଷଣେ ।

 

ଦୁର୍ଲ୍ଲଭ ପଦାର୍ଥ ଯେତେ ହେଉଅଛି ଲାଭ,

ସମ୍ରାଟ ହୃଦୟ ତେତେ ମଣୁଛି ଅଭାବ ।

 

ଯେତିକି ବ୍ୟସନ ରସ କରୁଛି ସମ୍ଭୋଗ,

ତେତିକି ବଢୁଛି ତାର ଅସନ୍ତୋଷ ରୋଗ ।

 

ଯାହା ଥରେ ମଞ୍ଜୁ ମଣି ରଖଇ ଆଦରେ,

ଦୁଇ ଦିନ ପରେ ତାକୁ ପେଲଇ ପାଦରେ ।

 

ଭୋଗକରି ଉଚ୍ଚ ଚାଟୁ ଭାରତୀ ଆସବ,

ପ୍ରମୋଦେ ମଣୁଛି ନିଜେ ଭାରତ-ବାସବ ।

 

ଛଳ ବଳ କଉଶଳ ପ୍ରଭାବ ଓଜରେ,

ଦ୍ୱିତୀୟ କାହାକୁ ଆଉ ନ ଆଣେ ନଜରେ ।

 

ଶୁଣିଲା ସୁନ୍ଦରୀ ଏକ ଚିତୋର ନଗରେ,

ବିରାକୁଛି ପୁରନ୍ଦରୀ ପରି ସ୍ୱରଗରେ ।

 

ସୁନ୍ଦରୀଏ ପରଶଂସି ବୋଲନ୍ତି ତା’ ରୂପ,

ସିନ୍ଧୁ ହେଲେ ଅପରାଙ୍କ ଶୋଭା ହେବ କୂପ ।

 

ଭିନ୍ନ ଭିନ୍ନ ଶୋଭା ଯେତେ ଜଗତେ ଅତୁଳ,

ସୁକୁମାର ଅଙ୍ଗେ ତାର ହୋଇଛନ୍ତି ଠୁଳ ।

 

ରତନମାନର କାନ୍ତି ଜ୍ୟୋତିଷ୍କଙ୍କ ପ୍ରଭା,

ଅନୁରୂପ ସ୍ଥାନେ ବସି କରିଛନ୍ତି ସଭା ।

 

ପୁଷ୍ପଙ୍କ ମାଧୁରୀ ଇନ୍ଦ୍ରଧନୁର ବରଣ,

ଫୁଟି ଉଠିଛନ୍ତି ଲଭି ତା’ ଅଙ୍ଗେ ଶରଣ ।

 

ବରଞ୍ଚ ସେମାନେ ଥିଲେ ନିର୍ଜୀବ ନିର୍ବଳ,

ଅଙ୍ଗେ ତାର ହୋଇଛନ୍ତି ସଜୀବ ଉଜ୍ଜ୍ୱଳ ।

 

କଉଣସି ବର୍ଣ୍ଣ ରଖି ନାହିଁ ନିଜ ଜାତି,

ଏକ ବର୍ଣ୍ଣେ ମିଶିଅଛି ଅନ୍ୟ ବର୍ଣ୍ଣ ଭାତି ।

 

ପରସ୍ପର ଜ୍ୟୋତି କରି ଆଦାନ ପ୍ରଦାନ,

ଏକତା-ବନ୍ଧନେ ହୋଇଛନ୍ତି ପ୍ରାଣବାନ ।

 

ଯେଉଁରୂପେ ପଞ୍ଚଭୂତ ହେଲେ ସମ୍ମିଳିତ,

ଉଠଇ ଜୀବନ ତହିଁ ହୋଇ ସଞ୍ଚରିତ ।

 

ବିଜୁଳି କେବଳ ତାର ଅଙ୍ଗେ ହୋଇ ଚୂରି,

ଉଛୁଳି ପଡ଼ୁଛି ସର୍ବ ଅବୟବେ ପୂରି ।

 

ରୂପ ଅନୁସାରେ ବାମା ସଦ୍‌ଗୁଣସକଳ,

ପରସ୍ପର ସମ୍ମିଶ୍ରଣେ ଅଛନ୍ତି ସବଳ ।

 

ଦୟା ତାର ବୋଲେ ଯେବେ ଦୁଃଖିଦୁଃଖହର

କ୍ଷମା ବୋଲିଥାଏ ଦୋଷ ମନରେ ନ ଧର ।

 

ଦୁହିଁଙ୍କ ବଚନ-ରସେ ସ୍ନିଗ୍‌ଧ ହୋଇ ମନ,

କରୁଥାଏ ସଦା ଲୋକ ମଙ୍ଗଳସାଧନ ।

 

ମଧୁର କୋମଳ ତାର, ସତ୍ୟ ସୁବଚନ,

କର୍ଣ୍ଣେ ପଡ଼ି ପ୍ରାଣେ କରେ ଅମୃତ ସେଚନ ।

 

ଯେ ଥରେ ଶୁଣିଛି ତାର ଆହ୍ଲାଦିନୀ ବାଣୀ,

ସେ ବୋଲୁଛି ମୂର୍ତ୍ତିମତୀ ବାଗ୍‌ଦେବୀ ସେ ରାଣୀ ।

 

ଯେ କେହି ତାହାକୁ ଥରେ କରିଛି ଦର୍ଶନ,

ବୋଲୁଛି ହୋଇଛି ନେତ୍ରେ ପୀୟୁଷ ବର୍ଷଣ ।

 

ନେତ୍ର ଦେଇ ତା’ ପ୍ରାଣକୁ ସୁଖ ଉପହାର,

ଲଭୁଅଛି ଉଚ୍ଚ ଧନ୍ୟବାଦ ବାରମ୍ୱାର ।

 

ବହୁମୁଖୁଁ ପଦ୍ମିନୀର ପ୍ରଶଂସା ଶ୍ରବଣେ,

ଲାଳସା ଉଠିଲା ବଢ଼ି ଯବନ ଜୀବନେ ।

 

ଭାବିଲା-‘ଯା ରୂପ-ଗୁଣ ଏତେ ପ୍ରଶଂସିତ,

ସମ୍ରାଟ୍‌ ମୁଁ କିପାଁ ହେବି ତା’ ଭୋଗେ ବଞ୍ଚିତ ?

 

ଯେତେବେଳେ ଯାହା ମୋର ବାଞ୍ଚିଅଛି ମନ

ତେତେବେଳେ କରିଅଛି ସେ କର୍ମ୍ମ ସାଧନ’ ।

 

କିସ ଥିଲି କିସ ପୁଣି ହୋଇଅଛି ଆଜି,

ଭାଗ୍ୟ ସଦା ରହିଅଛି ମୋ କଥାରେ ରାଜି ।

 

ଥିଲି ଦିନେ ଜଲାଲର ସାମାନ୍ୟ ଚାକର

ଯତ୍ନବଳେ ଲାଭ କଲି ତା’ ଦୂହିତା-କର ।

 

ଯତ୍ନବଳେ ହେଲି ପୁଣି ତାର ସେନାପତି,

ପୁଣି ଯତ୍ନେ ଆଣିଅଛିଁ ତା’ ମସ୍ତକ ଛତି ।

 

ଯତ୍ନ କଲେ ରତ୍ନ ମିଳେ ଧ୍ରୁବ ସତ୍ୟ କଥା,

ଯତନବିହୀନ ଲୋକ ବସି ଭୋଗେ ବ୍ୟଥା ।

 

ଶାସ୍ତ୍ରେ ମୋର ଲେଖା ନାହିଁ ଧରମାଧରମ,

ଯହିଁ ଲାଭ ତାହା ମୋର କର୍ତ୍ତବ୍ୟ କରମ ।

 

ପଦ୍ମିନୀ ଲଭିବା ନୁହେ ମୋ’ ପକ୍ଷେ କଠିନ,

ଭାରତ ଭୂପତିବୃନ୍ଦ ମୋ ଆଜ୍ଞା ଅଧୀନ ।

 

ଦେବଗିରି ଆଣିଅଛି ନିଜ ଅଧିକାରେ,

କନୌଜ ରହିଛି ମୋର ଚିତ୍ତ ତୋଷିବାରେ ।

 

ଗୁର୍ଜ୍ଜରୁ ଆଣିଛିଁ ରାଜ-ସ୍କନ୍ଧରୁ କମଳା,

ତହିଁ ସଙ୍ଗେ ରାଜ-ଅଙ୍କଶୋଭିନୀ କମଳା ।

 

ଅବଶିଷ୍ଟ ଅଛି ଏବେ ଚିତୋର ପଦ୍ମିନୀ,

ଯତନେ କରିବି ତାକୁ ଚିତ୍ତର ମୋଦିନୀ ।

 

ତଦୁତ୍ତରେ ନେଇ ସବୁ ଚିତୋର ସମ୍ୱାଦ,

ଭାବିଲା ଉଚିତ କିନା ପ୍ରଥମେ ବିବାଦ ।

 

ସ୍ଥିର କଲା ନ ଫଳିଲେ ଛଳ କଉଶଳ

ଅବଶେଷେ ପ୍ରକାଶିବ ଭୂଜଦଣ୍ଡବଳ ।

 

ଯେ ମନ୍ତ୍ରେ କରୁଛି ଦିଲ୍ଲୀ ରାଜଲକ୍ଷ୍ମୀ ଭୋଗ,

କରିବ ଚିତୋର-ଲକ୍ଷ୍ମୀ ପାଇଁ ତା’ ପ୍ରୟୋଗ ।

 

ପତ୍ର ସହ ଦେଇ ବହୁ ରମ୍ୟ ଉପଚାର,

ଚିତୋରକୁ ଅବିଳମ୍ୱେ ପଠାଇଲା ଚାର ।

 

ତୃତୀୟ ସର୍ଗ

ଆନନ୍ଦ ବିରାଜୁଅଛି ଚିତୋର ନଗରେ,

ଉଡ଼ୁଛି ବିଜୟବାନା ପ୍ରାସାଦ-ଶିଖରେ ।

 

ପରାଭବ ଲାଭକରି ନିକଟେ ଗୁର୍ଜ୍ଜର,

ପ୍ରଭାବ ବଢ଼ାଇଅଛି ଚିତୋର ଦୁର୍ଗର ।

 

ନିପଟେ ବସିବ ଏକ ଉଚ୍ଚ ଦରବାର,

ଯୋଗାଡ଼ ହେଉଛି ତାର ସକଳ ସମ୍ଭାର ।

 

ଯାହାର ଯେପରି ଅଛି ସୁପୁରୁଷକାର,

ମିଳିବ ତାହାକୁ ସେହିପରି ପୁରସ୍କାର ।

 

ନବ ନବ ପରିଚ୍ଛଦ ସମସ୍ତଙ୍କ ପାଇଁ ,

ନାନାବିଧ ବସନରେ ହେଉଛି ସିଲାଇ ।

 

ସୁମାର୍ଜ୍ଜିତ ହେଉଅଛି ରତ୍ନସିଂହାସନ,

ବ୍ୟସ୍ତ ରହିଛନ୍ତ ତହିଁ ରତ୍ନଶିଳ୍ପିଗଣ ।

 

ରତ୍ନମୟ ଛତ୍ର, ରତ୍ନଦଣ୍ଡ ମନୋହର,

ରତନଖଚିତ ସ୍ୱର୍ଣ୍ଣ ମୁଷ୍ଟିକ ଚାମର ।

 

ସ୍ୱର୍ଣ୍ଣମୟ ଶରାସନ ଶର କରବାଳ,

ମୁଦ୍‌ଗର ପରିଘ ଛୁରୀ ଢାଲ ଭିନ୍ଦିପାଳ ।

 

ଯାହା ଯାହା ମୁଷ୍ଟି ଅଛି ସୁବର୍ଣ୍ଣ ଜଡ଼ିତ,

ଯହିଁ ଯହିଁ ହୋଇଅଛି ରତନ ଖଚିତ ।

 

କରାଯାଉଅଛି ସବୁ ମାର୍ଜନେ ଉଜ୍ଜ୍ୱଳ,

ଭିନ୍ନ ହେଉଅଛି ଖୋଲୁଁ ଜୀର୍ଣ୍ଣ ମଖମଲ ।

 

ଲାଗିଛନ୍ତି ପୁଣି ରାଜଦରବାରୀ ଦଳ,

ସାଜିବାରେ ନିଜ ନିଜ ପୋଷାକ ସକଳ ।

 

ନାହିଁ ତହିଁ ଧନବଳ ଅଭାବ ବିଚାର,

ପୋଷାକେ ଯେମନ୍ତ ହେବ ପ୍ରଭାବ ପ୍ରଚାର ।

 

ସହସ୍ର ସହସ୍ର ବାଜୀ ଶତ ଶତ ଗଜ,

ସମସ୍ତଙ୍କ ବାସଭୂଷା ହେଉଅଛି ସଜ ।

 

ତୁନ୍ନବାୟଗଣ ଲାଗିଅଛନ୍ତି ସୀବନେ,

ଅଙ୍ଗୁଳିତ୍ର ସୂଚୀ କରେ ପ୍ରହୃଷ୍ଟ ଜୀବନେ ।

 

ପ୍ରବୀଣଙ୍କ ସଙ୍ଗେ ବସି ନବୀନ ବାଳକ,

ସୂଚୀ ଧରି ହେଉଅଛି ସ୍ୱହସ୍ତ ଚାଳକ ।

 

ଦୁର୍ଗବାସୀ ସମସ୍ତଙ୍କ ହୃଦୟ ସଂପ୍ରୀତ,

ସମୁଲ୍ଲାସେ ଉଠୁଅଛି ବିଜୟ-ସଙ୍ଗୀତ ।

 

କେତେ ଲୋକ ଗାଉଛନ୍ତି ତାହା ମନେ ମନେ

କେତେ ଅବା ଗାଉଛନ୍ତି ଅସ୍ଫୁଟ ବଚନେ ।

 

କେହି କେହି ଗାଉଛନ୍ତି ଟେକି ଉଚ୍ଚସ୍ୱର,

ତୋଷ ତାଙ୍କ ହେଉଅଛି ଅନ୍ୟ ତୋଷକର ।

 

ବାଳକବାଳିକାଗଣ ତା’ ଅନୁକରଣେ,

ସେ ଗୀତକୁ ଗାଉଛନ୍ତି ନିଜର ବଚନେ ।

 

ଶିଶୁଙ୍କ ବଦନ ଗୀତ ମଧୁମୟ ପଦ,

ହେଉଛି ଅଧିକତର ପ୍ରାଣପ୍ରୀତିପଦ ।

 

ଆନନ୍ଦର କଲ୍ଲୋଳରେ ସମସ୍ତ ନଗର,

ବାଟ ଘାଟ ହାଟ ସହ ହେଉଛି ମୁଖର ।

 

ବସିଛନ୍ତି ଭୀମ ସିଂହ ସ୍ୱକାର୍ଯ୍ୟ ସଦନେ,

ଗୁର୍ଜ୍ଜର-ବିଜୟାନନ୍ଦ ପ୍ରଫୁଲ୍ଲ ବଦନେ ।

 

ଦେଖୁଥିଲେ ଲିପିଶିଲ୍ପ ଉପହାରମାନ,

କବିମାନେ କରିଥିଲେ ତାଙ୍କୁ ଯା’ ପ୍ରଦାନ ।

 

ବର୍ଣ୍ଣିଥିଲେ ଗୁଜୁରାଟ ରଣର ବିଷୟ,

ଯେଉଁରୂପେ ହୋଇଥିଲା ରାଣାଙ୍କ ବିଜୟ ।

 

ରଚନାରେ ଅଛି କିନା ପ୍ରକୃତ ଘଟନା,

ମିଶିଅଛି ଅବା ତହିଁ ଅନୃତ ରଚନା ।

 

ବାଣୀପୀଠେ କେଉଁପରି କା’ ପୁରଶ୍ଚରଣ,

ହୋଇଅଛି ଭାରତୀଙ୍କ କି ପୁରସ୍କରଣ ।

 

ହୋଇଅଛି ଯେଉଁ ଭାବ ଭାଷା ବିରଚିତ,

ଉତ୍ତଜିତ ହୁଏ କିନା ତହିଁ ବୀରଚିତ୍ତ ।

 

ଏ ସମୟେ ଦ୍ୱାରେ ଉଭା ହୋଇ ଦ୍ୱାରପାଳ

ଜଣାଇଲା ଯୁଗ୍ମକରେ ଲଗାଇ କପାଳ-

 

‘‘ମହାରାଜ, ଆସିଅଛି ଦିଲ୍ଲୀପତି ଚାର,

ସଙ୍ଗେ ଘେନି ଉପହାର ଲେଖ୍ୟ ସମାଚାର ।

 

ଆସିଅଛି ଆଉ ଏକ କଷାୟବସନା,

ବେଶେ ସନ୍ନ୍ୟାସିନୀ କିନ୍ତୁ ରଞ୍ଜିତଦଶନା ।’’

 

ରାଣା ଆଜ୍ଞା ଦେଲେ ତାଙ୍କୁ ଆଣ ଯା’ ସତ୍ୱର

ଦେଖିବା କି ଉପହାର କେମନ୍ତ ପତର ।

 

‘ଯେ ଆଜ୍ଞା’ ଉଚ୍ଚାରି ହସି ଦେଖାଇ ସମ୍ମାନ,

ଲଉଟି ଚାରକୁ ନେଲା ରାଜ-ସନ୍ନିଧାନ ।

 

ଚାର ସଙ୍ଗେ ଗଲା ଜଣେ ମଞ୍ଜୁଷାଏ ବହି,

ସନ୍ନ୍ୟାସିନୀ ଗଲା ତାଙ୍କ ପଛେ ଦୂରେ ରହି ।

 

ଉପଗତ ହେଲେ ଯାଇ ମଣ୍ଡପ ଦୁଆରେ,

ଚାର ବିନା ଅନ୍ୟ ଦୁହେଁ ରହିଲେ ବାହାରେ ।

 

ଚାର ନେଇ ମଞ୍ଜୁଷାକୁ ଭୀମ ସନ୍ନିଧାନେ,

ପତ୍ର ସହ ଥୋଇଦେଲା ବନ୍ଦି ସବିଧାନେ ।

 

ପତ୍ର ଘେନିଥିଲା ପଟ୍ଟବାସ ଆବରଣ,

ଥିଲା ଯହିଁ ସ୍ୱର୍ଣ୍ଣଲତା ପୁଷ୍ପ ଆଭରଣ ।

 

ସୁବର୍ଣ୍ଣଥାଳିରେ ତାର ଥିଲା ଅଧିଷ୍ଠାନ,

ଥାଳି ଅଙ୍ଗେ ଲାଗିଥିଲା ମଣିରତ୍ନମାନ ।

 

ବିଚିତ୍ର ବସନେ ଥିଲା ମଞ୍ଜୁଷା ଆବୃତ,

କଞ୍ଚିକା ଗୋଟିଏ ଥିଲା ତାର ସହକୃତ ।

 

ପାଠକଳେ ଭୀମସିଂହ ପତ୍ର ନେଇ କରେ,

ଫିଟାଇ ଦେଖିଲେ ଯାହା ଥିଲା ସିନ୍ଦୁକରେ ।

 

ଚାରକୁ ବୋଇଲେ ଯାଅ ଅତିଥି ନିବାସେ,

ରହିବ ଉତ୍ତର ଆମ୍ଭ ନେବାର ସକାଶେ ।

 

ଚାର ସଞ୍ଚା ଦେବା ପାଇଁ ଭୃତ୍ୟକୁ ଆଦେଶ

ଦେଇ, ପୁଣି ପତ୍ରେ କଲେ ନୟନ ଆଦେଶ ।

 

ଏ ସମୟେ ଆଗେ ଉଭା ହୋଇ ସନ୍ନ୍ୟାସିନୀ,

ମନ୍ଦ୍ରସ୍ୱରେ ହେଲା ଜୟ ଶଙ୍କର ଭାଷିଣୀ ।

 

ପଚାରନ୍ତେ କାହିଁ ପାଇଁ ତାଙ୍କ ଆଗମନ,

ବୋଇଲା କରୁଛୁ ଆମ୍ଭେ ଅବନୀ ଭ୍ରମଣ ।

 

ଯେଉଁଠାରେ ଦେଖୁ ଶୁଦ୍ଧ ଶଙ୍କରଭକତ,

ହୋଇଥାଉଁ ତାଙ୍କ ପୂତ ପୁରେ ଅଭ୍ୟାଗତ ।

 

ଏକ ଦୁଇ ଦିନ ଥାଉଁ ଦେଖିଲେ ଆଦର,

ନତୁବା ତୁରନ୍ତ ଚାଲିଯାଉଁ ସ୍ଥଳାନ୍ତର ।

 

ଅଧୁନା କରୁଛିଁ ରାଜସ୍ଥାନ ବିଚରଣ,

ଶଙ୍କର ଆଶିଷ କରି କରି ବିତରଣ ।

 

ବଚନେ ବଚନେ ତାର ଥାଏ ମୃଦୁହାସ,

ତହିଁ ଫୁଟିପଡ଼ୁଥାଏ ଔଦାର୍ଯ୍ୟ ଆଭାସ ।

 

ଭୀମ ସିଂହ କରି ତାର ଓଷ୍ଠ ପରୀକ୍ଷଣ,

କଲେ ଅତି ସୂକ୍ଷ୍ମ ଲୋମରାଜି ନିରୀକ୍ଷଣ ।

 

ପ୍ରକୃତ ସେ ନାରୀ ବୋଲି ହେବାରୁ ବିଶ୍ୱାସ,

ସତ୍ୱରେ ପଠାଇଦେଲେ ପଦ୍ମିନୀଙ୍କ ପାଶ ।

 

ନିଜେ କଲେ ପତ୍ରିକାର କଥା ଆଲୋଚନା,

କେଉଁପରି ହୋଇଅଛି କୌଶଳ ରଚନା-

 

‘ଲେଖିଛି ଯବନ କରି ସୁହୃଦ ବିଚାର,

ପଠାଇଛି ମୋହଠାକୁ ପ୍ରୀତି ଉପଚାର ।

 

କରିଛି ଆହ୍ୱାନ ସଙ୍ଗେ ଘେନି ପରିବାର,

ପାଇବି ତା ପୁରେ ଯାଇ ବାନ୍ଧବ ସତ୍‌କାର ।

 

ମୋ ଉନ୍ନତି ପଥେ ସଦା ହେବ ସେ ସହାୟ,

ମୋଠାରୁ ପାଇବ ତାର ଶ୍ରୀବୃଦ୍ଧି ଉପାୟ ।

 

ପୂରିଛି ଯବନ ହୃଦେ ଆର୍ଯ୍ୟ-ଦ୍ୱେଷାନଳ,

ହଠାତ୍‌ କିପରି ହେଲା ଏମନ୍ତ ଶୀତଳ ?

 

ଅଦ୍ଭୁତ ତା’ ହୃଦୟର ଏ ପରିବର୍ତ୍ତନ,

ଚାହିଁ ହୃଦେ ହେଉଅଛି ସଂଶୟ ନର୍ତ୍ତନ ।

 

ମୋଠାରେ ତ ମିବାରର ନାହିଁ ରାଜପଣ,

ଏତେ ସମାଦରେ କିମ୍ପା ମୋତେ ନିମନ୍ତ୍ରଣ ।

 

ଯଦିବା ସେ ଶୁଣୁଥିବ ମୋହର କ୍ଷମତା,

ପରିବାର ପ୍ରତି ମୋର କିମ୍ୱା ତା’ ମମତା?

 

କିପରି କରିବ ସେ ମୋ ଶ୍ରୀବୃଦ୍ଧିସାଧନ,

କେଉଁଠାରୁ ଦେବ ମୋତେ ରାଜ୍ୟର ସାଧନ ।

 

ଯାହା ଅଛି ତାହା ସୁଦ୍ଧା ନୁହେ ତ ତାହାର,

ଆର୍ଯ୍ୟରାଜ୍ୟ କରିଅଛି ବଳେ ଅଧିକାର ।

 

କେମନ୍ତେ ମୁଁ ଦେବି ତାକୁ ସମୃଦ୍ଧିର ବାଟ,

ଆର୍ଯ୍ୟଲକ୍ଷ୍ମୀ ଶିରେ ଚଢ଼ି କରିବାକୁ ନାଟ ।

 

ପରନାରୀ ପରବିତ୍ତ ହରଣ ଯା’ ବ୍ରତ,

ସେ କି ହେବ ପରହିତ ଆଚରଣେ ରତ ?

 

ଅଙ୍ଗାର ପାଲଟିଯିବ ଦିନକରେ ଖଡ଼ି,

ଯାବନୀ ଚାତୁରୀ ପାଠ ଭୀମ ଅଛି ପଢ଼ି ।

 

ଭଲ ଥରେ ବୁଝିନିଏଁ ଲକ୍ଷ୍ମଣଙ୍କ ମତ,

ସଚିବ ସକଳ ଅବା କହିବେ କେମନ୍ତ ?’

 

ଏହିରୂପେ ଭୀମ ସିଂହ ଭାବି ମନେ ମନେ,

ଉପଗତ ହେଲେ ଯାଇ ଲକ୍ଷ୍ମଣ ସଦନେ ।

 

ଦେଖାଇଲେ ତାଙ୍କୁ ପତ୍ର ସହିତ ଭୂଷଣ,

ବୋଇଲେ, ‘‘ଏ ଯବନର ନବ ନିମନ୍ତ୍ରଣ ।

 

ଦିଲ୍ଲୀରୁ ଆସିଛି ଏହା ଘେନି ଏକ ଚାର,

କର ବାବା, ଏଥିପ୍ରତି ବିହିତ ବିଚାର ।’’

 

ପତ୍ର ପଢ଼ି କାକା ମୁଖ ଅନାଇ ଲକ୍ଷ୍ମଣ,

ବୋଇଲେ, ‘‘ଏ ଅଦ୍‌ଭୁତ ରହସ୍ୟ ଲକ୍ଷଣ ।

 

ଶତ୍ରୁ ବୋଲି ଯା’ କୁ ଆମ୍ଭ ମଣୁଅଛି ମନ,

କେମନ୍ତେ କରିବା ତାର ପୁରକୁ ଗମନ ?

 

କରିଅଛୁଁ ଆମ୍ଭେ ତାର କେଉଁ ଉପକାର,

କି ପ୍ରୀତିରେ ପଠାଇଛି ଏହି ଉପହାର ?

 

ଏକ ଅଛି ପୁରୁଷର ମସ୍ତକଭୂଷଣ,

ଅନ୍ୟ ଭୂଷା ପତିବ୍ରତା ହୃଦୟ ଦୂଷଣ ।

 

ମସ୍ତକେ ଶୋଭିବ ଆମ୍ଭ ଯବନର ଦାନ,

ତା’ ପ୍ରୀତି ପାଇବ ରାଣୀ ହୃଦୟରେ ସ୍ଥାନ ।

 

ମଣିଛି ଆମ୍ଭଙ୍କୁ ତାର ସାମନ୍ତ ସମାନ,

କି ବୋଲନ୍ତି କାକା ଏ ତ ଘୋର ଅପମାନ ।’’

 

ଭୀମ ସିଂହ ବୋଇଲେ, ‘‘ଏ କଳି ସୂତ୍ରପାତ,

ଭାବୁଛିଁ ଏଥିରୁ ନିଶ୍ଚେ ଦ୍ୱନ୍ଦ୍ୱ ହେବ ଜାତ ।

 

ପଚାରୁଁ କି ବୋଲୁଛନ୍ତି ସଚିବମଣ୍ଡଳ,

ନ ଥିବ ପଛକୁ ନିନ୍ଦା ଉଠିଲେ କନ୍ଦଳ ।’’

 

ପରଦିନ ସମାହୂତ ହେଲେ ମନ୍ତ୍ରିଗଣ,

ପ୍ରକାଶିତ ହେଲା ତହିଁ ସର୍ବ ବିବରଣ ।

 

ମନ୍ତ୍ରିବୃନ୍ଦ ପ୍ରକାଶିଲେ ହୋଇ ଏକମତ

ଆର୍ଜବ, କୂଟତା ଆଗେ ହେଉଁ ଅବଗତ ।

 

ଉପହାର ଦ୍ରବ୍ୟମାନ ରାଜକୋଷେ ଥାଉ,

ଉତ୍ତର ଗୋଟିଏ ଘେନି ଚାର ଫେରିଯାଉ ।

 

ଲେଖାଯାଉ ଦିଲ୍ଲୀଶଙ୍କ ପ୍ରୀତି ଉପହାର,

କରିଛି ରାଣୀଙ୍କ ହୃଦେ ସମ୍ପ୍ରୀତି ସଞ୍ଚାର ।

 

କୁଳାଚାର ଘେନି କ୍ଷତ୍ରକୁଳବଧୂଗଣ,

ଲେଉଟି ଦେଖନ୍ତି ନାହିଁ ଜନକ ପ୍ରାଙ୍ଗଣ ।

 

ନ ଥିଲେ ବିଶେଷ ବିଧି ଅଲଂଘ୍ୟ କାରଣ,

ନ କରନ୍ତି ଅନ୍ତଃପୁରୁ ଚରଣଚାରଣ ।

 

ଦିଲ୍ଲୀ ଆଉ ମିବାରର ସୀମା ମଧ୍ୟଦେଶ,

ତହିଁ ହେବ ଉଭୟଙ୍କ ଶିବିର ନିବେଶ ।

 

ସେ ଶିବିରେ ଦିଲ୍ଲୀପତି ମିବାର ଭୂପତି,

ସମାନ ସମ୍ମାନ ରଖି ପରସ୍ପର ପ୍ରତି,

 

କରିବେ ଯଦ୍ୟପି ହେବ ସୁସାକ୍ଷାତ୍‌କାର,

ଥିବ ଯଦି ଥିବ ଉଭ ଅଙ୍ଗେ ତରବାର ।

 

ତା’ ନ ହେଲେ ଉପହାର ହେବ ବିନିମୟ,

ପଶ୍ଚାତ ସାକ୍ଷାତ ଦେଖି ଉଚିତ ସମୟ ।

 

ତହିଁରେ ସମ୍ମତି ହେଲା ରାଣା ଦୁହିଁଙ୍କର,

ସେହି ମର୍ମ୍ମେ ଲେଖାଗଲା ଉତ୍ତର-ପତର ।

 

ପତର ସହିତ ପାଇ ଯୋଗ୍ୟ ପୁରସ୍କାର,

ଚିତୋର ଭୂପତି ପୁରୁ ବାହୁଡ଼ିଲା ଚାର ।

 

ସନ୍ନ୍ୟାସିନୀ ଆସି ଏଣେ ରାଣାଙ୍କ ନବରେ,

ଉଲ୍ଲସିଲା ପ୍ରାଣ ‘ଜୟ ଶଙ୍କର’ ରବରେ ।

 

ବସାଇ ପଦ୍ମିନୀ ତାକୁ ଶ୍ରଦ୍ଧା ସମାଦରେ,

ସମ୍ପାଦିଲେ ତୋଷ ତାର ସଙ୍ଗେ ସମ୍ୱାଦରେ ।

 

ମଧ୍ୟେ ମଧ୍ୟେ ଭାଷି ଜୟ ଶଙ୍କର ଶଙ୍କର

ସନ୍ନ୍ୟାସିନୀ କହୁଥାଏ ବାକ୍ୟ ତୋଷକର ।

 

ବାକ୍ୟେ ତା’ ନ ଥାଏ ଲୋଭ ଥାଏ ପ୍ରଲୋଭନ,

କଳୁଥାଏ ଅନ୍ତଃ ଆଉ ବାହ୍ୟର ଶୋଭନ ।

 

ସେ ଦିବସ କରି ଦେବ ଆରାଧନା ଛଳ,

ଅଳପ ଆଳାପ ପରେ ଚଳିଲା ଚଞ୍ଚଳ ।

 

ପଦ୍ମିନୀଙ୍କ ଅନୁରୋଧେ ବୋଇଲା ନିଶ୍ଚୟ,

କାଲି ଆସି କହିବି ମୋ ବିଷୟ ନିଚୟ ।

 

ଅନ୍ୟ ଦିନ ଆସି ପୁଣି ହୋଇ ଉପଗତ,

ଜଳପିଲା କଳ୍ନି ନିଜ ବୃତ୍ତାନ୍ତ ଯାବତ ।

 

ସଂକ୍ଷେପରେ କହି କେତେ ତୀର୍ଥର ମହିମା

ବିସ୍ତାରିତ କଲା ଏକ ଯମୁନା ଗରିମା ।

 

ବୋଇଲା, ‘‘ଯମୁନା ଗ୍ରହରାଜଙ୍କ ତନୁଜା,

ପାତକନାଶିନୀ ଧର୍ମରାଜଙ୍କ ଅନୁଜା ।

 

ସ୍ୱର୍ଗଧାମୁଁ ଅବତରି ଆସୁଛନ୍ତି ବହି,

ଅମୃତର ଧାରାରୂପେ ପବିତ୍ରତାମୟୀ ।

 

କୃଷ୍ଣବେଣୀ ବିଶୋଭିତ ବିନତବଦନେ,

ଢାଳନ୍ତି ଅମୃତ ନିଜ ଭକତ ସଦନେ ।

 

ଗ୍ରହଗଣ ତାରାଗଣ ଛାୟାତନୁ ବହି

ଯମୁନା ଚରଣତଳେ ନିତି ଥାନ୍ତି ରହି ।

 

ତରଙ୍ଗପଟଳ ତାଙ୍କ ସ୍ୱର୍ଗର ସୋପାନ,

ଝଟକିଉଠୁଛି ତହିଁ ହୀରାନୀଳାମାନ ।

 

ପୁଣ୍ୟେ ଭାସି ଲୋଟି ତହିଁ ଭକ୍ତଗଣ,

କରିଥାନ୍ତି ସ୍ୱର୍ଗସୁଖ ଲୁଟି ଆହରଣ ।

 

ଯମୁନା-ଚରଣାମୃତ ମସ୍ତକେ ଧାରଣ,

ନ କଲେ ମାନବ ଜନ୍ମଲାଭ ଅକାରଣ ।

 

ଯହିଁରେ ଯମୁନା ସର୍ବତୀର୍ଥ ମଧ୍ୟେ ସାର,

ବିଷ୍ଣୁ ତହିଁ ନେଇଥିଲେ କୃଷ୍ଣ ଅବତାର ।

 

ତାଙ୍କୁ ସେବି କରେ ଯେହୁ ତାଙ୍କ ତଟେ ବାସ,

ହୁଏ ତାର ଶତଜନ୍ମ କଳ୍ମଷ ବିନାଶ ।

 

ଭାଇ ବନ୍ଧୁ ପରିବାର କରି ପରିହାର,

ପବିତ୍ର ପୁଳିନେ ତାଙ୍କ କରେଁ ମୁଁ ବିହାର ।

 

ଯମୁନା ପ୍ରସାଦ ସର୍ବ ସମ୍ପଦର ଖଣି,

ତାହା ଲଭି ଧନରତ୍ନ ଥାଏ ତୁଚ୍ଛ ମଣି ।’’

 

ପଦ୍ମିନୀ ବୋଇଲେ ତୀର୍ଥ ପୁରୁଷଙ୍କ ପାଇଁ,

ପତି ସେବି ନାରୀ ଥାଏଁ ଚର୍ତୁବର୍ଗ ପାଇ ।

 

ପଣ୍ଡାମାନେ ତୀର୍ଥଭୂମି କରି ଅଧିକାର,

ଲୋଭବଶେ କରିଥାନ୍ତି ନାନା ଅବିଚାର ।

 

ଶୁଣିଅଛି ଗୟାକ୍ଷେତ୍ରେ କରି ଲୋଭିପଣ,

ସୀତାଙ୍କ ପଣତ କାଟିନେଲେ ପଣ୍ଡାଗଣ ।

 

ବିଶେଷତଃ ଆଜିକାଲି ଯବନ ବିପ୍ଲବେ,

ଉପଦ୍ରବ ହେଉଅଛି ସତୀତ୍ୱ ବିଭବେ ।

 

ଯେଉଁ ନାରୀ ସ୍ୱଭାବତଃ ଥାଏ ପତିବ୍ରତା,

ଜୀବନେ ତାହାର ପୂରିଥାଏ ପବିତ୍ରତା ।

 

ତାହା ଯୋଗୁଁ ତାହା ପିତା ଭ୍ରାତାଙ୍କର ଯଶଃ

ଉଠଇ ସ୍ୱର୍ଗକୁ ଶୁଭ୍ର କରି ବିହାୟସ ।

 

ପତିବ୍ରତା ହୃଦ ହୋଇ ସ୍ୱର୍ଗରୁ ଉନ୍ନତ,

ଦେବାଧିଦେବଙ୍କଠାରେ ହୁଏ ଉପଗତ ।

 

ପତିରେ ଭକତି ତାର ମୁକତି ସୋପାନ,

ପତି ତାର ଅଦ୍ୱିତୀୟ ଈଶ୍ୱର ସମାନ ।

 

ସତୀର ଚରିତ ପଡ଼ି ଶ୍ରବଣେ ଶ୍ରବଣେ,

କରଇ ପୀୟୂଷ ବୃଷ୍ଟି ଜୀବନେ ଜୀବନେ ।

 

ପତିବ୍ରତା ନ ଲୋଡ଼ଇ ନିଜର ଭକତ,

ନିଜେ ଥାଏ ସଦା ପତି ଭଜନେ ନିରତ ।

 

ଗ୍ରହତାରା ଯେ ହେଉନ୍ତୁ ବିନା ସୁଚରିତ୍ର,

ନ ପାରନ୍ତି ହୋଇ ପରେ ଆଶ୍ରୟେ ପବିତ୍ର ।

 

ସତୀତ୍ୱ ରତନ କିନ୍ତୁ ଶୋଭେ ଯା’ ହୃଦରେ,

ଦେବଗଣ ସଦା ତାକୁ ତୋଷିଥାନ୍ତି ବରେ ।

 

ଯମରାଜା ନେଇଥିଲେ ସତ୍ୟବାନ ପ୍ରାଣ,

ସତୀତ୍ୱ ପ୍ରଭାବେ କଲେ ସାବିତ୍ରୀ ଆଦାନ ।

 

ପତିର ଚରଣ ସତୀ ଜୀବନର ଭେଳା,

ତାହା ଘେନି ଭବ-ପୁଣ୍ୟଜଳେ ତାର ଖେଳା ।

 

ନ ବାଞ୍ଚ୍ଥଇ ସ୍ୱର୍ଗ ସତୀ ନ ଲୋଡ଼େ ରତନ,

ସକଳ ସମ୍ପଦ ପତିପଦେ ତା’ ଯତନ ।

 

ପତି-ପଦରେଣୁ କଲେ ମସ୍ତକେ ବହନ,

ସହସ୍ର ଜୀବନ ପାପ ହୁଅଇ ଦହନ ।

 

କୋଟିତୀର୍ଥ ଦର୍ଶନେ ଯେ ପୁଣ୍ୟ ଥାଏ ଫଳି,

ପତିପଦସେବା ପୁଣ୍ୟ ତାକୁ ଯାଏ ବଳି ।

 

ପତିପ୍ରୀତି ହୁଏ ଯେବେ ହୃଦୟମଣ୍ଡନ,

ସକଳ ବିପତ୍ତି ହୁଏ ଜୀବନେ ଖଣ୍ଠନ ।

 

ପତିପଦ ନ ସେବିଲେ ଯୁବତୀ ଅସତୀ

ଚିରକାଳ ହୁଏ ତାର ନରକେ ବସତି ।’’

 

ସନ୍ନ୍ୟାସିନୀ ବୋଇଲା, ‘‘ମୁଁ ହୋଇ ସନ୍ନ୍ୟାସିନୀ

ସ୍ୱାମୀପ୍ରୀତି ପାଇଁ ସିନା ଯମୁନାବାସିନୀ ।

 

ପ୍ରଭୁ ମୋର ଲୋକନାଥ ଯମୁନାର ତଟେ,

ଆବିର୍ଭୂତ ହୋଇଛନ୍ତି ଯମୁନା ନିକଟେ ।

 

ଅଭୀଷ୍ଟ ଫଳଦ ସେହି ପ୍ରଭୁଙ୍କ ଚରଣ,

ଭଜନାରେ ମଜ୍ଜି କରେଁ ସମୟହରଣ ।

 

ଦେଇଛନ୍ତି ପ୍ରଭୁ ମୋତେ ସ୍ୱପନେ ଆଦେଶ,

ବେଗେ ଦାସୀ ଚାଲିଯାଅ ଭୀମ ସିଂହ ଦେଶ ।

 

ଭୀମପତ୍ନୀ ପତିବ୍ରତା ପଦ୍ମିନୀ ସୁନ୍ଦରୀ,

କହିବୁ ନିକଟେ ତାର ମୋର ନାମ ଧରି ।

 

ପ୍ରବଳ ହୋଇଛି ଏବେ ଯବନ ପ୍ରଭାବ,

ହେଉଛି ପ୍ରଭୁଙ୍କ ଯୋଗ୍ୟପୂଜାର ଅଭାବ ।

 

ପତି ସଙ୍ଗେ ସତୀ କରି ଶୀଘ୍ର ଆଗମନ,

କରୁ ମୋର ହୃଦୟର ତାପ ପ୍ରଶମନ ।

 

ଯବନର ଦର୍ପ ଭୀମ ସିଂହ କରି ନାଶ,

କରୁ ତହିଁ ପଦ୍ମିନୀର ଗୌରବ ବିକାଶ ।

 

ଯମୁନାରେ ଅବଗାହି ଦେଲେ ମୋତେ ପାଣି

ନିଶ୍ଚୟ ପଦ୍ମିନୀ ହେବ ଭାରତ-ଇନ୍ଦ୍ରାଣୀ ।

 

ତା’ ନ ହେଲେ ଈଶ୍ୱରଙ୍କ ପ୍ରକୋପ ଉଦୟ,

କରିଦେବ ଏହି ରାଜ୍ୟ ବହୁ ଲୋକ କ୍ଷୟ ।

 

ପ୍ରଭୁଙ୍କ ଆଦେଶ ଘେନି ମନ୍ଦିରୁ ବାହାରି,

ଜଣାଇ ତୁମ୍ଭକୁ ତାହା କରୁଛି ଗୁହାରି ।

 

ବିଚାରି ନ କର ଯଦି ପ୍ରଭୁଙ୍କର ତୋଷ,

ତୁମ୍ଭ ଯୋଗୁଁ ହେବ ମହା ଲୋକକ୍ଷୟ ଦୋଷ ।

 

ନୁହେଁ ଭିଖାରିଣୀ କିଛି ନାହିଁ ମୋର ଊଣା,

ଦେଖିନିଅ ଏଥି ମୋର ପ୍ରଭୁଙ୍କ କରୁଣା ।’’

 

ଏହା କହି ସନ୍ନ୍ୟାସିନୀ ଝାଡ଼ିଦେଲା କର,

ଝଡ଼ିଲେ ତହିଁରୁ ମଣିମାଣିକ୍ୟନିକର ।

 

ଉଚ୍ଚେ କରି ଉଚ୍ଚାରଣ ଶଙ୍କର, ଶଙ୍କର,

ବୋଇଲା, ‘‘ସାଧବି, ହେଲି ମେଲାଣି ଏଥର ।’’

 

ଶୁଣି ସବୁ କଥା ପୁଣି ଦେଖି ଏ ଘଟନା,

କ୍ଷଣକେ ପଦ୍ମିନୀ ହୋଇଗଲେ ଛନ୍ନମନା ।

 

ପୁଣି କ୍ଷଣେ ସବୁକଥା ଆଲୋଚନା କରି,

ଉତ୍ତର ଆରମ୍ଭ କଲେ ଗୋଟି ଗୋଟି ସ୍ମରି-

 

‘‘କହୁଛ ସାଧବି, ତୁମ୍ଭେ ପ୍ରଭୁ-ଆଜ୍ଞାକ୍ରମେ

ଆସିଅଛି ନ କହିଲ କିନ୍ତୁ ତା’ ପ୍ରଥମେ ।

 

ପ୍ରଥମ ଦିବସ କଲ ଅଳପ ଆଳାପ,

ନ କହିଲ ଏ ଅଭୁତ ଆଦେଶ କଳାପ ।

 

ତା’ ପରେ କହିଲ ଯାହା ନିଜର ପ୍ରସଙ୍ଗ,

ପର କଥା ତା’ ସହିତ ହେଉ ନାହିଁ ସଙ୍ଗ ।

 

ତା’ ପରେ ଲାଗିଲ ରବିସୁତା ପ୍ରଶଂସାରେ,

ବୋଇଲ ଅଧମ ତୀର୍ଥ ଆଉ ଯା’ ସଂସାରେ ।

 

ସର୍ବଶେଷେ ଶୁଣାଉଛ ପ୍ରଭୁଙ୍କ ଆଦେଶ,

ତହିଁ ପାଇଁ ଏକା ଛାଡ଼ି ଆସିଅଛ ଦେଶ ।

 

କଥାରୁ ପ୍ରକାଶ ତୁମ୍ଭଠାରୁ ବଳି ସତୀ,

ହୋଇ ନ ପାରିବେ ଶିବଳାୟା ଭଗବତୀ ।

 

ଯେ ପ୍ରଭୁ କରିବେ କୋପେ ବହୁ ଲୋକକ୍ଷୟ,

ତୁମ୍ଭ ପାଣି ପାଇ ତୋଷ ଲଭନ୍ତେ ନିଶ୍ଚୟ ।

 

ତୁମ୍ଭ ସେବା ଏଡ଼ି ମୋତେ କରିବେ ଇନ୍ଦ୍ରାଣୀ,

ଏହା ତ ପ୍ରଭୁଙ୍କ ପକ୍ଷେ ଅନୁଚିତ ବାଣୀ ।

 

ଯବନପ୍ରତାପ ସେହୁ ନ ପାରନ୍ତି ସହି,

ତହିଁର ପ୍ରକୋପେ ଦେବେ ଅନ୍ୟଲୋକ ଦହି ।

 

ତୁମ୍ଭେ ନିଜେ ହେଲେ ଖଣ୍ଡା-ଖର୍ପରଧାରିଣୀ,

କ୍ଷଣକରେ ହୋଇପାର ଲୋକସଂହାରିଣୀ ।

 

ଭାଗ୍ୟ ଥିଲା ପାଇଗଲୁଁ ତୁମ୍ଭ ଦରଶନ,

ନ କର ଅଧିକ ଆଉ ଲୋମହରଷଣ ।

 

ପ୍ରଭୁ କୃପା ନିଦର୍ଶନ ରତନସକଳ,

ଆମ୍ଭ ଯୋଗ୍ୟ ନୁହେ ତାହା ଭକ୍ତଙ୍କ ସମ୍ୱଳ ।

 

ବିବିଧରୂପିଣୀ ଦେବି, ହେଉନ୍ତୁ ମେଲାଣି,

ଚାହିଁ ଚାହିଁ କେତେ ଆମ୍ଭ ରୋମାଞ୍ଚ ହେଲାଣି ।

 

କିଏ ତୁମ୍ଭେ କାହିଁ ପାଇଁ ତୁମ୍ଭ ଆଗମନ,

ନ ପାରିଲୁ ଜାଣି ହୋଇ ବିସ୍ମୟମଗନ ।

 

ଶୁଣି ଶୁଣି ପଦ୍ମିନୀଙ୍କ ବିଦ୍ରୂପ ବ୍ୟଞ୍ଜନା,

ହୃଦୟ ଭିତରେ ଭରି ବିଷମ ଗଞ୍ଜନା ।

 

ସତ୍ୱର ଚତ୍ୱର ଲଘିଂ ନବରୁ ବାହାରି,

ଚାଲିଗଲା ପଥେ ମୁଖ ନ ଚାହିଁ କାହାରି ।

 

ଦୁର୍ଗ ତେଜି ପଥେ ଭେଟି ସହଚର ଚାର,

ହସି ହସି କହିଗଲା ନିଜ ସମାଚାର ।

 

ବୋଇଲା ଚୌହାଣସୁତା ବଡ଼ ବୁଦ୍ଧିମତୀ,

ନ ପୂରିଲା ତାକୁ ମୋର ଠକିବା ଶକତି ।

 

ଚିତା କାଟି ଦେଇଅଛିଁ କେତେ ନରବରେ,

ପରାଜିତ ହେଲି ଆଜି ପଦ୍ମିନୀ-ନବରେ ।

 

ଚତୁର୍ଥ ସର୍ଗ

ଗଜଦନ୍ତସମନ୍ୱିତ ରତନ ଖଚିତ,

ସ୍ୱର୍ଣ୍ଣମୟ ମନୋହର ପଲ୍ୟଙ୍କ ରଚିତ ।

 

ଚାରି କୋଣେ ଚାରି ମୂର୍ତ୍ତି ସ୍ୱର୍ଣ୍ଣ ବିଦ୍ୟାଧରୀ,

ଏକ ଏକ କରେ ଛନ୍ତି ଚନ୍ଦ୍ରାତପ ଧରି ।

 

ଅନ୍ୟ କରେ ଧରିଛନ୍ତି କୁସୁକ ବ୍ୟଜନ,

ବ୍ୟଜନ କରୁଛି ତହିଁ ସୁରଭି ସର୍ଜନ ।

 

କୁସୁମଭୂଷଣ ତାଙ୍କ ଅତି ମନୋରମ,

ହେଉଅଛି ଭୂଷଣରୁ ସୁରଭି ଉଦ୍‌ଗମ ।

 

ପଲ୍ୟଙ୍କେ ପଡ଼ିଛି ଚାରୁ ମଖମଲ ଶେଯ,

ଚୌଦିଗେ ତା’ ରତ୍ନଲତା ବିକାଶୁଛି ତେଜ ।

 

ଗର୍ଭେ ଭରି ଶାଳ୍ମଳୀର ତୁଳା ଉପାଦାନ,

ଦୁଇଦିଗେ ଦୁଇଗୋଟି ଉଚ୍ଚ ଉପାଧାନ ।

 

ସେ ପଲ୍ୟଙ୍କେ ବିଜେ କରି ଦିଲ୍ଲୀର ସମ୍ରାଟ,

ଦେଖୁଅଛି ଭବନର ଶୋଭାମୟ ହାଟ ।

 

ଉର୍ଦ୍ଧ୍ୱପଟେ ଆଚ୍ଛାଦିତ ନୀଳ ମଖମଲ,

ତାରାରୂପେ ରତ୍ନମାନ ତହିଁ ଝଲମଲ ।

 

ଅଷ୍ଟକୋଣ ଉର୍ଦ୍ଧ୍ୱେ ଅଷ୍ଟ ରତ୍ନମୟ କେଳୀ,

ଏକ ଏକ ପୁଷ୍ପହାର ଚଞ୍ଚୁପୁଟେ ଟେକି ।

 

ବୃତ୍ତ ପରି ଥାଏ ତାଙ୍କ ପୁଚ୍ଛ ବିସ୍ତାରିତ,

ରତ୍ନ ଜ୍ୟୋତି ହେଉଥାଏ ତହିଁ ବିସ୍ଫାରିତ ।

 

ଚିତ୍ରିତ ହୋଇଛି ପୁର, ଭିତ୍ତିପଟେ ବନ,

ଚିତ୍ରେ କରେ ହରିଣକୁ ବ୍ୟାଘ୍ର ଆକ୍ରମଣ ।

 

କେହି ମୃଗ ଲମ୍ପ ଦେଇ ଉଠିଛି ଗଗନେ,

କେହି ବା ପଳାଉଅଛି ନିବିଡ଼ ଗହନେ ।

 

ଦୂରେ ତାର ମୃଗଯୁଥ ଅଛନ୍ତି ଅନାଇଁ

ଭୟବିସ୍ଫାରିତ ନେତ୍ରେ ପଳାଇବା ପାଇଁ ।

 

ଭୟେ ଲୁଚି ରହିଛନ୍ତି ବିହଙ୍ଗମଗଣ,

ଅନାଇ ଉପରଭାଗେ ସଞ୍ଚାଣ ଭ୍ରମଣ ।

 

ଦଳେ ଦଳେ ଉଡ଼ିଯାଉଛନ୍ତି ପ୍ରାଣଡ଼ରେ,

କ୍ରୋଟରେ ପଶୁଛି ଶିଶୁ ଘେନି କେ କ୍ରୋଡ଼ରେ ।

 

ଗଜଶିରେ ସିଂହ କାହିଁ ବସିଅଛି ମାଡ଼ି,

ଅଳପ ଦିଶୁଛି ମୁଖ ପାର୍ଶ୍ୱ ଦନ୍ତଧାଡ଼ି ।

 

ଦୀର୍ଘ ଦନ୍ତେ ପାଦ ନଖେ ବିଦାରି ଚରମ,

କରୁଛି ରକତ ପାନ ପୀଡ଼ି ତା’ ମରମ ।

 

ଅନାୟତ୍ତ କରିବର ନତ କରି ଶିର,

ବସିପଡ଼ି ଶୁଣ୍ଢ ଟେକି ହେଉଛି ଅଧୀର ।

 

ପ୍ରକାଣ୍ଡ ତା’ ଦନ୍ତଯୁଗ ହୋଇଛି ଉପର,

ଗଣ୍ଡ ଦେଇ ତଳେ ପଡ଼େ ରକତର ଝର ।

 

ପଳାଉଅଛନ୍ତି ଆଗେ ଦୂରେ ଗଜଦଳ,

ସଙ୍ଗେ ଧାଇଁଛନ୍ତି ତାଙ୍କ ଶାବକସକଳ ।

 

କାହିଁ ବହିଯାଉଅଛି ନିର୍ମଳ ଝରଣ,

କାହିଁ ବ୍ୟାଧ କରୁଅଛି ମୃଗାନୁସରଣ ।

 

ଏଣେ ଥରେ ତେଣେ ଥରେ ପକାଇ ଲୋଚନ,

କରୁଛି ପଦ୍ମିନୀ କଥା ଆଲ୍ଲା ଆଲୋଚନ ।

 

ଏ ସମୟେ ଲୀଳାବତୀ ଦାସୀ ଉପଗତ,

ସମକ୍ଷରେ ଉଭାହୋଇ ଶିର କଲା ନତ ।

 

ହରଷିତ ହେଲା ଆଲ୍ଲା ଅନାଇ ଚଞ୍ଚଳ,

ବୋଇଲା କି ହୋଇଅଛି ମାନସ ସଫଳ ?

 

ଦାସୀ ଜଣାଇଲା, ‘‘ଦେବ, ସରଗର ଚାନ୍ଦ,

ହାତକୁ ଆସଇ ନାହିଁ ପକାଇଲେ ଫାନ୍ଦ ।

 

ଯାହାକୁ ବିଧାତା ଯାହା କରିଛି ପ୍ରଦାନ,

ତାହା ଲଭି ନିଜ ଭାଗ୍ୟେ ନିଜେ ସେ ପ୍ରଧାନ ।

 

ପରଭାଗ୍ୟ ଲବ୍‌ଧ ଧନେ ଅନ୍ୟ କଲେ ଲୋଭ,

ଭୋଗ୍ୟ ହୋଇ ନ ପାରଇ ବଢ଼େ ମାତ୍ର କ୍ଷୋଭ ।

 

ଭାଗ୍ୟବଳେ ଲଭିଥାନ୍ତି କେତେ ଲୋକ ଧନ,

କେତେ ଲୋକପଣ ପୁଣି କେତେ ଲୋକ ଜନ ।

 

କେହି ପାଇଥାଏ ମନ କେହି ଅବା ଜ୍ଞାନ,

ଏକାଧିକ ଲଭିଥାନ୍ତି କେତେ ଭାଗ୍ୟବାନ ।

 

ଯାହାକୁ ଯା’ ମିଳିଥାଏ ତହିଁ ତାର ତୋଷ,

ପରଭାଗ୍ୟେ ଲୋଭକଲେ ଉପୁଜଇ ଦୋଷ ।

 

ମନେକର ପାଇଛି କେ ପ୍ରତିଭା ଶକତି,

ଅନ୍ୟ ତା’ ନ ପାରେ ନେଇ ବଳାଇଲେ ମତି ।

 

ସେହିପରି କାହା ଭାଗ୍ୟେ ରମଣୀ ତା’ ସତୀ,

ସେ ନାରୀ କେମନ୍ତେ ଦେବ ମନ ଅନ୍ୟ ପ୍ରତି ।

 

ବଳେ କରାଯାଏ ନାହିଁ ତାହାକୁ ହରଣ,

ବଳ ଉପଗତ ହେଲେ ବରଇ ମରଣ ।’’

 

ଆଲ୍ଲା-

ଚାହୁଁ ଚାହୁଁ ଏତେ ତୋର ନୀତି ଉପଦେଶ,

ସାତ ଦିନ ସାତ ରାତି ନ ହେବ ତା’ ଶେଷ ।

 

ଭାଗ୍ୟ ମଣି ତୁଷ୍ଟ ଥାଏ ଦୁର୍ବଳ ଯେ ଜନ,

ଭାଗ୍ୟଶଦ୍ଦେ ବଳିଷ୍ଠର ନାହିଁ ପ୍ରୟୋଜନ ।

 

କହ ମାଦ୍ର ପଦ୍ମିନୀର ମାଧୁରୀ କେମନ୍ତ,

ଏଠାକୁ ଆସିବାପାଇଁ ତାହାର କି ମତ?

 

ଲୀଳା-

ଭୋ ସମ୍ରାଟ୍‌, ପଦ୍ମିନୀକି କରି ଦରଶନ,

ନେତ୍ରେ ମୋର ହୋଇଗଲା ସୁଧା ବରଷଣ ।

 

ଶୁଣିବାରୁ ତା’ କୋମଳ ମଧୁମୟୀ କଥା,

ଛାଡ଼ିଲା ମୋ ଜୀବନର ଚିର ପାପବ୍ୟଥା ।

 

ତା’ ଠାରେ ରଚିଲି ଯେତେ ଛଳ କଉଶଳ,

ନ ଛୁଇଁ ତାହାକୁ ହେଲା ସକଳ ବିଫଳ ।

 

ପତି ତା’ ପରମ ଗୁରୁ, ପତି ତା’ ଜୀବନ,

ପତିର ଚରଣ ତାର ସୁଖର ସଦନ ।

 

ଆଲ୍ଲା-

ପଦକରେ ଶୋଭା ତାର କରିବାକୁ ଶେଷ,

ଲୀଳାବତୀ ପ୍ରତି ନୁହେ ଆାଲ୍ଲାର ଆଦେଶ ।

 

ତୋର ବ୍ୟଥା ଦୂର ହେଲେ ମୋର କେଉଁ ସୁଖ,

ତୋ’ କୌଶଳ ବ୍ୟର୍ଥ ହେଲେ ମୁଁ ନୁହେଁ ବିମୁଖ ।

 

ମୁଖେ ମୁଖେ କରିପାରୁ କବିତା ରଚନା,

କର ଥରେ ପଦ୍ମିନୀର ସ୍ୱରୂପ ବର୍ଣ୍ଣନା ।

 

ଲୀଳା-

ପଦ୍ମିନୀର ଶୋଭାରାଶି ନୁହେ ବର୍ଣ୍ଣନୀୟ,

ପୁଣ୍ୟପୂତ ଭାଗ୍ୟଯୁତ ଜନ ଦର୍ଶନୀୟ ।

 

ଆଲ୍ଲା-

ତୋ’ ଠାରୁ କି ପାପୀ ମୁହିଁ ତୋ’ ଠାରୁ ଅଭାଗୀ

ନ ପାରିବି ହୋଇ ଥରେ ଶ୍ରୁତି-ସୁଖଭାଗୀ ?

 

ଲୀଳା-

 

ଭାଗ୍ୟଦେବୀ ତୁମ୍ଭ ପ୍ରତି ସଦା ସୁପ୍ରସନ୍ନ,

ପୁଣ୍ୟବଳେ ଲଭିଅଛି ରାଜେନ୍ଦ୍ର ଆସନ ।

 

ଭାଗ୍ୟବନ୍ତ ପୁଣ୍ୟଯୁତ ତୁମ୍ଭର ଦର୍ଶନ,

କଉଶଳେ କରିପାରେ ସେ ରୂପ-ସ୍ପର୍ଶନ ।

 

ନେତ୍ରପ୍ରୀତି ହୁଏ ଦୃଷ୍ଟି ପଡ଼ିଲେ ସାଗରେ,

କିନ୍ତୁ ତାହା ବର୍ଣ୍ଣିହୁଏ ନାହିଁ କା’ ଆଗରେ ।

 

ଅମୃତ କେମନ୍ତ ସ୍ୱାଦୁ କିଏ କହିପାରେ?

ସେ ଜାଣିବ ଯେ ଘେନିବ ନିଜ ରସନାରେ ।

 

ଆଲ୍ଲା-

 

ତା’ ପାଶେ ମୋ କଥା କିଛି କଲୁ କି ବର୍ଣ୍ଣନ ?

କରି କି ପାରିବ ସେ ମୋ ଆଦର ଲଂଘନ ?

 

ମୋ ପ୍ରତାପ ମୋ ବିଭବ ପାରିଲା କି ଜାଣି ?

ବୁଝିଲା କି ମୋର କୋପେ ହେବ ଯାହା ହାନି ?

 

ଲୀଳା-

ପ୍ରଭୋ, ଯଦି ତୁମ୍ଭ ନାମ ଥା’ନ୍ତି ତହିଁ ଧରି,

ପାରି ମୁଁ ନ ଥା’ନ୍ତି ତାର ମାନସ ଉଦ୍ଧରି ।

 

ତୁମ୍ଭ ଦାସୀ ବୋଲି ଯଦି ଯାଇଥାନ୍ତି ଜଣା,

ମାଡ଼ି କି ମୁଁ ପାରିଥାନ୍ତି ରାଜାର ଅଗଣା?

 

ସ୍ଥଳ କାଳ ପାତ୍ର ଜାଣି କଲେ ବ୍ୟବହାର,

ତେବେ ସିନା ହୋଇପାରେ ସୁଫଳ ସଞ୍ଚାର ।

 

କିନ୍ତୁ ଯା’ କହିଛି ତୁମ୍ଭ ନାମୁଁ ତା’ ଅଧିକ,

ତଥାପି ସେ ନୁହେ ତୁମ୍ଭବାଞ୍ଚ୍ଥାର ପଥିକ ।

 

ତୁମ୍ଭର ପ୍ରତାପୁ ବଳି ତା’ ହୃଦ ଉନ୍ନତ,

କିନ୍ତୁ ତା’ ସ୍ୱଭାବ ନୁହେ ସେପରି ଉଦ୍ଧାତ ।

 

ଦିଲ୍ଲୀର ସମ୍ରାଟ୍‌ ତୁମ୍ଭେ କରବାଳ ଧରି,

ହୃଦ-ରାଜ୍ୟେ ପଦ୍ମିନୀ ତ ଭାରତ-ଈଶ୍ୱରୀ ।

 

ଧର୍ମର ବିରୋଧେ ଯଦି ହେବ ଲୋକକ୍ଷୟ,

ଧର୍ମଦୃଢ଼ ହୃଦେ ତାର ନ ଦେଖିଲି ଭୟ ।

 

ଶୁଣ ଯେଉଁରୂପେ କଲି ତା’ ପୁର ଗମନ,

ଯେରୂପେ ପରୀକ୍ଷା କଲି କୌଶଳେ ତା’ ମନ ।

 

ଏହା କହି କହିଗଲା ଦାସୀ ଅବିକଳ,

ପଦ୍ମିନୀ ଆଳାପ ଆଦି ବୃତ୍ତାନ୍ତ ସକଳ ।

 

ତା’ ପରେ ଚିତୋର ସିଂହ ଭୀମଙ୍କର ଲେଖା,

ହସ୍ତେ ଘନି ଆଲ୍ଲା ଆଗେ ଦୂତ ଦେଲା ଦେଖା ।

 

ଆଲ୍ଲା ନେଇ ପତ୍ର ପାଠ କରି ମନେ ମନେ,

ନୀରବ ରହିଲା କ୍ଷଣେ ବିଷଣ୍ଣ ବଦନେ ।

 

କୁକୁର ପାଇଲେ ଯଥା କଠିନ ପ୍ରହାର,

ରହିଥାଏ କ୍ଷଣେ କରି ନ ପାରି ଚିତ୍କାର ।

 

ଦୂତ ଦାସୀ ହୋଇଗଲେ ତହିଁରୁ ଅନ୍ତର,

ପୁନଶ୍ଚ ପଡ଼ିଲା ଆଲ୍ଲା ଭୀମଙ୍କ ପତର ।

 

ତା’ ପରେ ଲାଗିଲା ହୃଦ-ବନେ କୋପାନଳ,

ପ୍ରତାପ ସ୍ମରଣ ବାତ ଦେଲା ତାକୁ ବଳ ।

 

ଉଠିଲା ଜିଘଂସା ଧୂମ ତହୁଁ ଘନ ଘନ,

ଚିତୋର ଦିଗକୁ ହେଲା ଧୂମର ଗମନ ।

 

ବୋଇଲା ସେ ଗର୍ବ ଘେନି ଭିତରେ ଭିତରେ,

ସିଂହ କି ଶୃଗାଳ ଭୀମ ଦେଖିଯିବା ଥରେ ।

 

ଦେଖିବା ପଦ୍ମିନୀ ଅଟେ କିପରି ସୁନ୍ଦରୀ,

ତା ରୂପ ପାରିବ କି ନା ମୋ ହୃଦୟ ହରି ।

 

ପ୍ରଥମେ ଭୀମକୁ କରି ଖଡ଼ଗେ ଶାସନ,

ପରେ ଦେବି ପଦ୍ମିନୀକି ଅଙ୍କରେ ଆସନ ।

 

ସେହି ଦିନ ପ୍ରଚାରିଲା ଆଲ୍ଲାର ଆଦେଶ,

ଅବିଳମ୍ୱେ ହୋଇଗଲା ସୈନ୍ୟ ସମାବେଶ ।

 

ସହସ୍ର ସହସ୍ର ଅଶ୍ୱ ଶତ ଶତ ହାତୀ,

ଲକ୍ଷ ସଂଖ୍ୟା ଅତିକ୍ରମି ସଶସ୍ତ୍ର ପଦାତି ।

 

ଅସଂଖ୍ୟ ଶକଟ ବହି ବିବିଧ ସମ୍ଭାର,

ଭାରବାହୀ ଦଳ ଉଭା ବହି ବହୁ ଭାର ।

 

ଚିତୋର ଦିଗରେ କଲେ ସର୍ବେ ଅଭିଯାନ

ଚଳିଲା ସମ୍ରାଟ୍‌ ହୃଦେ ବହି ଅଭିମାନ ।

 

ଆଗେ ଆଗେ ଚାଲିଗଲେ ଭାରବାହୀ ଦଳ,

ତାଙ୍କ ପଛେ ପଛେ ଗଲା ଶକଟସକଳ ।

 

ତହୁଁ ଦୂରେ ଆଗେ ଆଗେ ବାଦ୍ୟକାରଗଣ

ଚାଲିଲେ ବଜାଇ ବାଜା କମ୍ପାଇ ଶ୍ରବଣ ।

 

ତାଙ୍କ ପଛେ ଧାଡ଼ି ଧାଡ଼ି ପଦାତିକ ସେନା,

କରେ ଧରି କରବାଳ ଅଙ୍ଗେ ଭରି ସେହ୍ନା ।

 

ଅଶ୍ୱାରୋହୀ ଦଳ ତହୁଁ ହୋଇ ବୀଥିବଦ୍ଧ,

ତାଙ୍କ ପଛେ ଚାଲିଥାନ୍ତି ସଶସ୍ତ୍ର ସନ୍ନଦ୍ଧ ।

 

ଗଜପୃଷ୍ଠେ ଦେଇ ମଖମଲ ଆସ୍ତରଣ,

ତା’ପରେ ଚାଲିଲେ ହୃଷ୍ଟ ଗଜାରୋହିଗଣ ।

 

ଘେନି ଆଲ୍ଲା ହୃଦ ପରି ବକ୍ର ଚନ୍ଦ୍ର ଖଣ୍ଡ-

ଧ୍ୱଜ ତାର ଆଲ୍ଲାପଦ ପରି ଉଚ୍ଚ ଦଣ୍ଡ ।

 

ଗଜବ୍ରଜ ମଧ୍ୟେ ଥାଏ ଏକ ଦନ୍ତାବଳ,

ପୃଷ୍ଣେ ପଡ଼ିଥାଏ ରତ୍ନମଣ୍ଡିତ କମ୍ୱଳ ।

 

ତା’ ଉପରେ ରତ୍ନମୟ ହାଉଦା ଶୋଭିତ

ଉର୍ଦ୍ଧ୍ୱଦେଶେ ଚନ୍ଦ୍ରାତପେ ରଉଦ୍ରରୋଧିତ ।

 

ଚତ୍ତପାଶେ ପଟ୍ଟବାସେ ରତନ ଝାଲର,

ପ୍ରବେଶବାରକ ରବିକିରଣ-ଜାଳର ।

 

ମଧ୍ୟେ ତାର ମଖମଲ କୋମଳ ଆସନେ,

ଦିଲ୍ଲୀନାଥ ବସିଥାଏ ରୂପଲୁବ୍‌ଧ ମନେ ।

 

ସ୍ୱର୍ଣ୍ଣମୟ ଧୂମନଳ ଧରିଥାଏ କରେ,

ଥରେ ଥରେ ଦେଉଥାଏ ଲଗାଇ ମୁଖରେ ।

 

ହୁକା ଧରିଥାଏ ଜଣେ ଅନ୍ୟ ଦନ୍ତାବଳେ,

ସୁବର୍ଣ୍ଣ ଚିଲମ କରି ପୂରିତ ଅନଳେ ।

 

ସେ ଗଜରୁ ଏ ଗଜକୁ ଲମ୍ୱିଥାଏ ନଳ,

ଘୁରୁଡ଼ୁ ଘୁରୁଡ଼ୁ ନାଦୁଥାଏ ହୁକାଜଳ ।

 

ସମ୍ରାଟ୍‌- ବଦନୁ ଏଣେ ଉଠି ଧୂମରାଶି,

ସୁବାସରେ ଦେଉଥାଏ ଚୌଦିଗ ଉଲ୍ଲାସି ।

 

ଚଉଦିଗେ ଗଜପୃଷ୍ଠେ ମଧୁର ବାଦନ,

କରୁଥାଏ ସମ୍ରାଟର କର୍ଣ୍ଣାଭିବାଦନ ।

 

ଗୀତ ହେଉଥାଏ ତହିଁ ସଙ୍ଗୀତ ଯେତକ,

ଆଦିରସେ ସମ୍ରାଟର ମାନସ-ଦ୍ୟୋତକ ।

 

ଏଠାରେ ବୋଲୁଛି ମନ ଲେଖନୀ ତୁ ଛାର,

ଏଡ଼େ ବଡ଼ ସମ୍ରାଟ୍‌କୁ କରୁଛୁ ତୁକାର ।

 

ଲେଖନୀ ବୋଲୁଛି ମନ କହିଲୁ ଯା’ ସତ,

ତା’ ମହତ୍ତ୍ୱ ମାନିବାକୁ ବଳୁ ନାହିଁ ସତ ।

 

କି ଘେନି ବୋଲିବା ତାକୁ ମାନନୀୟ ବଡ଼,

ଧରମ-ଜଗତେ ସେ ତ କ୍ଷୁଦ୍ର ଗରଗଡ଼ ।

 

ବୋଲିବ ଯଦ୍ୟପି ତାର ଅଛି ବାହୁବଳ,

ତାକୁ ବଳି ବନେ ’ଛନ୍ତି କେତେ ମହାବଳ ।

 

ଅଥବା ବୋଲିବ ବଡ଼ ବୃଦ୍ଧି ଅଛି ତାର,

କି ବୁଦ୍ଧି ଯେ କରେ ପାପ-ପଥ ଆବିଷ୍କାର ।

 

ଯଦ୍ୟପି ବୋଲିବ ତାର ଅଛି ବହୁ ଧନ,

ସେ କି ଧନ ଯାହା ଘେନି ନିରୀହ ନିଧନ ।

 

କେଡ଼େ ଅପକର୍ମ ପାଇଁ କେଡ଼େ ଆଡ଼ମ୍ୱର,

ଆଡ଼ମ୍ୱରେ ନାହିଁ ଧର୍ମଦେବଙ୍କ ଆବର ।

 

ସତୀତ୍ୱ-ରତନ ବଳେ ହରିବାର ପାଇଁ,

କେତେଦୂରୁ କେତେଦୂର ଯାଉଛି ସେ ଧାଇଁ ।

 

ହୃଦରେ ପୂରିଛି ତାର ପାପ-ଅଭିଳାଷ,

ତା’ ଏକା କରୁଛି ତାର ମହତ୍ତ୍ୱ ବିନାଶ ।

 

ଅମେଧ୍ୟ ପଦାର୍ଥ ଯଦି ଥାଏ ହେମ ଘଟେ,

କେ ତାକୁ ଆଗ୍ରହ କରି ରଖିବ ନିକଟେ ?

 

ଛାଡ଼ ତାର ମାନ୍ୟ, ଏବେ ହେଉଁ ଅଗ୍ରସର,

ଦେଖୁଁ ଯୁଦ୍ଧଯାତ୍ରା ଲେଖୁଁ ତା’ ଦୃଶ୍ୟ ନିକର ।

 

ଚାଲିଲା ବାହିନୀ ବ୍ୟାପି ବହୁଦୂର ପଥ,

ଉଦ୍‌ଗାରିଲା ଧୂଳି ମହୀ ହୋଇ ପଦାହତ ।

 

ସେ ଧୂଳିପଟଳ ଉଠି ବ୍ୟାପିଲା ଗଗନ,

ସୁଦୀର୍ଘ ବାହିନୀ ହେଲା ତହିଁରେ ମଗନ ।

 

ସୁଦୂର ଦିଶିଲା ଯେହ୍ନେ ମହା ଅଜଗର,

ହୋଇଅଛି ଗିରିଗ୍ରାସ-ଆଶେ ଅଗ୍ରସର ।

 

ବାଦ୍ୟନାଦ ଅଶ୍ୱହ୍ରେଷା ଗଜଘଣ୍ଟିନାଦ,

ମହା ଗଣ୍ଡଗୋଳେ ମହୀ ଗଣିଲା ପ୍ରମାଦ ।

 

ଲେଉଟି ଲେଉଟି ଭୁକି ଭୁକି ବାରମ୍ୱାର,

ପଳାଇଲେ ପଥପାର୍ଶ୍ୱ ଗ୍ରାମ-ଶ୍ୱାନବାର ।

 

ଗ୍ରାମେ ଗ୍ରାମେ ଘରେ ଘରେ କୁଳବଧୂକୁଳ,

ନୀରବେ ରହିଲେ ଲୁଚି ହୋଇ ଭୟାକୁଳ ।

 

ପଥପାର୍ଶ୍ୱ ବିଟପୀରୁ ବିହଙ୍ଗମଗଣ,

ରବି ରବି ଦଳ ଦଳ କଲେ ପଳାୟନ ।

 

ଶିବାମାନେ ପଳାଇଲେ ଲେଉଟି ଲେଉଟି,

ମଣ୍ଡଳିଲେ ଗୃଧ୍ରଗଣ ନଭୋଦେଶେ ଉଠି ।

 

ଚଟି ଚଟି ହୋଇଅଛି ରସଦ ସଂଗ୍ରହ,

ପ୍ରଜାବୃନ୍ଦ ଜଗିଛନ୍ତି ରହି ଅହରହ ।

 

ଫାଟିଅଛି ବେତ୍ରାଘାତେ ଶରୀର କାହାର,

ମସ୍ତକୁ ହୋଇଛି କାହା ରକତ ବାହାର ।

 

ଢାଙ୍କିଛନ୍ତି ଆଘାତକୁ ମଳିନ ବସନେ,

କମ୍ପୁଛନ୍ତି ଶୀର୍ଣ୍ଣ ହୋଇ ଅନଶନେ ।

 

ନିଶିରେ ପାଇଛି ପାଣି କାହା ଅପଘନ,

ତହିଁ ସଙ୍ଗେ ପାଇଅଛି କୁଲାର ପବନ ।

 

ଭ୍ରମୁଅଛି ଚପରାସି ହୋଇ ବେତ୍ର-କର,

ତାକୁ ଚାହିଁ ପ୍ରଜାଙ୍କର ପ୍ରାଣ ଥରହର ।

 

କାହାଠାରେ ଥିଲେ କିଛି ଦ୍ରବ୍ୟର ଅଭାବ,

ଦେଖାଉଛି ଚପରାସୀ ବେତ୍ରର ପ୍ରଭାବ ।

 

ଏକ ଦୁଇ ନୁହନ୍ତି ସେ ବହୁ ଚପରାସି,

ପ୍ରତାପରେ ଦେଉଛନ୍ତି ଧଇର୍ଯ୍ୟ ବିନାଶି ।

 

ଚପରାସୀଦଳ ମୂଳେ ଛନ୍ତି ଜମାଦାର,

ଲୋକ ଜାଣି ହେଉଛନ୍ତି ସେହୁ କ୍ଷମାକାର ।

 

ବିକ୍ରୟ କରନ୍ତି କ୍ଷମା ମୂଲ୍ୟ ଅନୁସାରେ,

ପ୍ରହାର ସହୁଛି ମୂଲ୍ୟ ନାହିଁ ଯାହାଠାରେ ।

 

ଯେ ଦ୍ରବ୍ୟ ନପଡ଼େ କେବେ ପ୍ରଜାର ନୟନେ,

ଲାଗିଛନ୍ତି କେତେ ଲୋକ ତାହା ଆନୟନେ ।

 

ଯେଉଁ ଦ୍ରବ୍ୟ ନ ମିଳଇ ଗ୍ରାମରେ ପ୍ରଜାର,

ତହିଁ ପାଇ ଧାଇଛନ୍ତି ନଗର ବଜାର ।

 

ହେବାକୁ ଗୋ-ଗଜ-ବାଜୀ-ରସନା-ରସଦ,

ସଂଗୃହୀତ ହୋଇଅଛି ବିବିଧ ରସଦ ।

 

ଆରବ-ପାରସ୍ୟଜାତ ଫଳମୂଳମାନ,

ରସଦଭଣ୍ଡାରେ ଆସି ପାଇଅଛି ସ୍ଥାନ ।

 

ଅଶ୍ୱାରୋହୀ ପଦାତିକ ଆସି ଦଳ ଦଳ,

ନେଉଛନ୍ତି ପ୍ରଜାମୁଣ୍ଡେ ବୁହାଇ ସକଳ ।

 

ମନୋମତ ଦ୍ରବ୍ୟ ଲାଭେ ହେଲେ କିଛି ତ୍ରୁଟି,

ଗ୍ରାମେ ଗ୍ରାମେ ପଶି ପୁଣି କରୁଛନ୍ତି ଲୁଚି ।

 

ଏହିରୂପେ କରି ବହୁ ପ୍ରତାପ ପ୍ରକଟ,

ଲାଗିଲା ବାହିନୀ ଯାଇ ଚିତୋର ନିକଟ ।

 

Unknown

ପଞ୍ଚମ ସର୍ଗ

ଅଭେଦ୍ୟ ଚିତୋର ଦୁର୍ଗ ସୁଦୃଢ଼ ପ୍ରାଚୀର,

ଚିରକାଳୁ ରହିଅଛି ଥିବ ଯେହ୍ନେ ଚିର ।

 

ଚତୁର୍ଦ୍ଦିଗେ ଭ୍ରମୁଅଛି ଯବନବାହିନୀ,

ବହୁବିଧ ଭୟଙ୍କର ଆୟୁଧବାହିନୀ ।

 

ଆବରଣ କରି ଶିର ଶିରସ୍ତ୍ରାଣ-ଜାଲେ,

ବାରବାଣେ ତନୁ, କଟି ସାରସନ ମାଳେ ।

 

ତୁରଙ୍ଗମ ହ୍ରେଷାରବ ଗଜର ଗର୍ଜନ,

ସଙ୍ଗେ ନୃତ୍ୟ କରୁଅଛି ଅସ୍ତ୍ରର ଝନ୍‌ଝନ ।

 

ମୁହୁର୍ମୁହୁଃ ଉଠି ଘୋର ବନ୍ଧୁକର ଧ୍ୱନି,

କମ୍ପାଉଛି ବନ ସହ ଗଗନ ମୂର୍ଦ୍ଧନି ।

 

ଦୁର୍ଗଦ୍ୱାରେ ପଡ଼ିଅଛି ସୁଦୃଢ଼ କପାଟ,

ମିଳୁ ନାହିଁ ଯବନକୁ ସୂଚି-ମୁନେ ବାଟ ।

 

ସେନା-ପିପୀଲିକାକ୍ରାନ୍ତ ଚିତୋର ନଗରୀ,

ରହିଅଛି ବଦ୍ଧମୁଖ ଗୁଡ଼କୁମ୍ଭ ପରି ।

 

ଭୟଙ୍କର ଜଳରାଶି ତରଙ୍ଗପଟଳ,

ମଧ୍ୟେ ଯଥା କପିଳଙ୍କ ଆଶ୍ରୟ ଅଟଳ ।

 

ଏହିରୂପେ ଚାଲିଅଛି ମାସ ପରେ ମାସ,

ଭାଗ୍ୟଦେବୀ ନ ଛାଡ଼ିନ୍ତି ଚିତୋର-ନିବାସ ।

 

କିଛି ଦୂରେ ପଡ଼ିଅଛି ସମ୍ରାଟ୍‌-ଶିବିର,

ଧାଡ଼ି ଧାଡ଼ି ଗଗନକୁ ଟେକିଛନ୍ତି ଶିର ।

 

କରିବାକୁ ଜୟ-ଲକ୍ଷ୍ମୀ ମୂର୍ତ୍ତି ପ୍ରତିଷ୍ଠିତ,

ହୋଇଛି ସେସବୁ ପରା ମଣ୍ଡପ ନିର୍ମିତ ।

 

ଉଡ଼ି ତାଙ୍କ କ୍ରମ-ସୂକ୍ଷ୍ମ ଚୂଡ଼ାରେ ଚିରାଳ,

ରଣଦେବୀ-ଜିହ୍ୱା ପରି ଦିଶଇ କରାଳ ।

 

ପଟ୍ଟବସ୍ତ୍ରାବାସ ମଧ୍ୟେ ରତ୍ନବିଖରିତ-

ମହୋଜ୍ଜ୍ୱଳ ସ୍ୱର୍ଣ୍ଣମୟ ଆସନ ରଚିତ ।

 

ଚତୁର୍ଦ୍ଦିଗେ ବସିଅଛି ସୁଷମାର ହାଟ,

ମଧ୍ୟେ ବିଜେ ଦିଲ୍ଲୀପତି ଯବନସମ୍ରାଟ୍‌ ।

 

ଶବିର ବାହାରେ ବେଡ଼ି ଶସ୍ତ୍ରଧାରିଗଣ,

ରହିଛନ୍ତି ଝଲକାଇ କୃପାଣ-କିରଣ ।

 

ଦିଲ୍ଲୀ ଆଜି ମଘବାର ନଗର ସମାନ,

ସମ୍ରାଟ୍‌ ସଦନେ ସର୍ବ ରତ୍ନ ଭାସମାନ ।

 

ଅବରୋଧ ରମଣୀଙ୍କ ବଦନମଣ୍ଡଳ,

ଚାହିଁଦେଲେ ବିଚଳିତ ହେବେ ଆଖଣ୍ଡଳ ।

 

ମଧୁର ମୋହନ କଣ୍ଠ ଅମିୟ ଗାୟନ,

ଶୁଣିଲେ ଚକିତ ହେବେ ଋଷି ଦ୍ୱୈପାୟନ ।

 

ସହାସ ଅଧରମୁକ୍ତ ସପ୍ରେମ ବଚନ,

ଜିତେନ୍ଦ୍ରିୟ ଅପଘନେ କରେ ଲୋମାଞ୍ଚନ ।

 

ପ୍ରଫୁଲ୍ଲ କମଳ କାନ୍ତି ଅଙ୍ଗୁଳି ସ୍ପରଶ,

କହିଦିଏ ହେମପୁଷ୍ପ ଶିରୀଷ କର୍କଶ ।

 

ସମ୍ରାଟ୍‌କୁ ସେ ସମସ୍ତ ଲାଗିଛି ଅଲଣା,

ଦୃଷ୍ଟିଦୋଳେ ଝୁଲୁଛନ୍ତି ଚୌହାଣଦୁଲଣା ।

 

ଶୁଣିଛି ଚିତୋର ଦୁର୍ଗେ ଫୁଟିଛି ପଦ୍ମିନୀ,

ଦିଲ୍ଲୀ ରୂପସୀଙ୍କ ରୂପ-ଗରବମର୍ଦ୍ଦିନୀ ।

 

ଦିଲ୍ଲୀରୁ ବିମୁଗ୍‌ଧ ହୋଇ ପଦ୍ମିନୀ ବାସରେ,

ନିଦ୍ରା ନାହିଁ ସମ୍ରାଟ୍‌କୁ ରଜନୀ ବାସରେ ।

 

ଯେ ପଦ୍ମିନୀ ଭୀମ ସିଂହ ସିଂହର ଘରଣୀ,

ପାତିବ୍ରତ୍ୟ ବିଭୂଷଣେ ମଣ୍ଡିଛି ଧରଣୀ-

 

ବଳେ ତାକୁ ନେବା ପାଇଁ କରି କୁବିଚାର,

ଧାଇଁଛି ଯବନ-ବ୍ୟାଘ୍ର ଦୁଷ୍ଟ ଦୁରାଚାର ।

 

ପଦ୍ମିନୀକି ଛାଡ଼ିଦେଲେ ନ କରିବ ରଣ,

କହି କଲା ଭୀମଙ୍କର ମର୍ମ ବିଦାରଣ ।

 

ଭୀମପରାକ୍ରମ ଭୀମ ଭୀମର ସମାନ

ସହି କି ପାରନ୍ତେ ସେହି ଗୁରୁ ଅପମାନ ?

 

ସମ୍ରାଟ୍‌କୁ ଦେଲେ କ୍ରୋଧେ କର୍କଶ ଖବର,

ଦେଖାଅ ତୋ’ ବଳ ଥିଲେ ଯବନ ବର୍ବର ।

 

ସିଂହ ସଙ୍ଗେ ସମ୍ରାଟ୍‌ର ଲାଗିଅଛି ଯୁଦ୍ଧ,

ନ ପାରି ଧରଷି ସିଂହେ ହୋଇଅଛି କ୍ଷୁବ୍‌ଧ ।

 

ଶିବିରେ ବସିଛି ମାତ୍ର ସୁବର୍ଣ୍ଣ ଆସନେ,

ହୃଦାରଣ୍ୟ ଜଳୁଅଛି ହିଂସା-ହୁତାଶନେ ।

 

ଦିଲ୍ଲୀସ୍ୱର ପରଦା ହରଣେ ଲାଳସ,

ଛି, ଛି, ଛି, ପୁରୀଷପୂର୍ଣ୍ଣ ସୁବର୍ଣ୍ଣ କଳସ ।

 

ଧନ୍ୟ ବିଧି ତୁମ୍ଭର କି ବିଚିତ୍ର ବିଧାନ ?

ନରକରୁ ସ୍ୱର୍ଗର କି ନାହିଁ ବ୍ୟବଧାନ ?

 

ହୃଦୟରେ ଯା’ର ଅତି ଜଘନ୍ୟ ବିଚାର,

ତାକୁ ତୁମ୍ଭେ ଦିଅ ପୁଣି ରାଜ୍ୟ ଅଧିକାର ।

 

ଜୀବନ ଯାହାର ନାନା ପାପର ପସରା,

ହସ୍ତେ ତାର ଦେଇଥାଅ ଧନ୍ୟଧାନ୍ୟ ଧରା ।

 

ଜୟଲକ୍ଷ୍ମି ! ତୁମ୍ଭେ ଅତି ଦୁର୍ବଳ-ହୃଦୟ,

ଯହିଁ ଅସ୍ତ ପର କ୍ଷଣେ ତହିଁରେ ଉଦୟ ।

 

ପୁଣ୍ୟେ ନାହିଁ ଅଭିରୁଚି ପାପେ ନାହିଁ ଘୃଣା,

ନାହିଁ ଦ୍ୱେଷ ଦୁଷ୍ଟ ପ୍ରତି, ନିରୀହେ କରୁଣା ।

 

ଯାହାଠାରେ ଦେଖ ଛଳ କଉଶଳ ବଳ,

ତାହାଠାରେ ହୁଏ ତୁମ୍ଭ ମମତା ପ୍ରବଳ ।

 

ତୁମ୍ଭ ପୂଜା ପାଇଁ ଲୋକେ କେତେ ମନ୍ଦକର୍ମ

କରିଥାନ୍ତି, ଦେଖି ପୁଣି ସହିଥାଏ ଧର୍ମ ।

 

ରାଜଲକ୍ଷ୍ମୀ ବରପୁତ୍ର ଯେ ଆଲାଉଦ୍ଦୀନ,

ନିଜକୁ ମଣୁଛି ଆଜ ଦୀନଠାରୁ ଦୀନ ।

 

ସନ୍ତୋଷ-ରତନ ନାହିଁ ହୃଦୟରେ ଯା’ର,

ସୁଖ କାହିଁ ପାଇଲେହେଁ ଇନ୍ଦ୍ରତ୍ୱ ହଜାର ।

 

ବୋଲୁଛି ନ ହେଲା ଲାଭ ରମଣୀ-ରତନ,

ଧିକ୍‌ ମୋ ସମ୍ରାଟ୍‌ପଣ ଧିକ୍‌ ମୋ ଜୀବନ ।

 

ଧିକ୍‌ ବସିଥିବା ବୋଲି ଉଠିପଡ଼ି ଥରେ,

ଅଗ୍ରସର ହେଲା ଯାଇ ଚିତୋର-ପଥରେ ।

 

ଶୁଣିଲା ପ୍ରାଚୀର-ଶିରୁ ବର୍ଷୁଛି ପଥର,

ଲେଉଟି ଆସିଲା କ୍ରୋଧ କମ୍ପି ଥରଥର ।

 

ଅସ୍ତାଚଳ-ଶିରେ ଥାଇ ସହସ୍ରକିରଣ,

କରୁଛନ୍ତି ଚିତୋରର ଭବିଷ୍ୟ ଗଣନ ।

 

ଧଇର୍ଯ୍ୟ ଗାମ୍ଭୀର୍ଯ୍ୟ ସହ ମଧୁର ମାର୍ଦ୍ଦବ,

ହୋଇଅଛି ଏବେ ତାଙ୍କ ବାର୍ଦ୍ଧକ୍ୟ ବିଭବ ।

 

(କବି ସମ୍ୱଲପୁରରେ ଅବସ୍ଥାନ କରୁଥିବାବେଳେ ୧୯୧୦ରେ ଏହା ଆରମ୍ଭ କରିଥିଲେ । ବର୍ତ୍ତମାନ ‘‘ପଦ୍ମିନୀ’’ର ଯାହା ପଞ୍ଚମ ସର୍ଗ ରୂପେ ପ୍ରକାଶିତ, ତାହା ପ୍ରଥମ ସର୍ଗ ରୂପେ ରଚିତ ହୋଇଥିଲା । ସରକାରୀ କାର୍ଯ୍ୟରେ ପରିବର୍ତ୍ତିତ ହୋଇ ଯଥାକ୍ରମେ ବିଜେପୁର (୧୯୧୩ ମାର୍ଚ୍ଚରୁ ୧୯୧୪ ସେପ୍ଟେମ୍ବର) ଓ ପଦ୍ମପୁରରେ (୧୯୧୪ ସେପ୍ଟେମ୍ବରରୁ ୧୯୨୦ ମାଘ ପୂର୍ଣ୍ଣିମା) ଥିବା ସମୟରେ ସେ ଅନ୍ୟ ସର୍ଗଗୁଡ଼ିକ ରଚନା କରିଥିଲେ । ‘‘ପଦ୍ମିନୀ’’କୁ ତାଙ୍କ ପୁସ୍ତକମାନଙ୍କ ମଧ୍ୟରେ ଉଚ୍ଚତମ କରିବାର ବାସନା କବିଙ୍କର ରହିଥିଲା ; କିନ୍ତୁ ଏ ଅଭିଳାଷ ପୂର୍ଣ୍ଣ ହୋଇପାରି ନଥିଲା । ଏ କାବ୍ୟର ଦ୍ୱିତୀୟ ସର୍ଗଟି ‘‘ମୁକୁର’’ରେ ୧୯୨୩ ମେ ସଂଖ୍ୟାରେ ପ୍ରକାଶିତ ।

 

ଅସମ୍ପୂର୍ଣ୍ଣ ‘‘ପଦ୍ମିନୀ’’ କାବ୍ୟକୁ ସମ୍ପୂର୍ଣ୍ଣ କରିବାର ଚେଷ୍ଟା କରିଥିଲେ କବିପୁତ୍ର ଭଗବାନ ମେହେର । ପାଠକମାନଙ୍କ ସୁବିଧା ଦୃଷ୍ଟିରୁ କବିପୁତ୍ରଙ୍କ ଦ୍ୱାରା ରଚିତ ‘‘ପଦ୍ମିନୀ’’ର ଉତ୍ତରାର୍ଦ୍ଧ ଏଠାରେ ପ୍ରକାଶ କରାଯାଇଛି ।)

 

 

ଷଷ୍ଠ ସର୍ଗ

ମନ୍ଦମତି ଦିଲ୍ଲୀପତି ନିରାନନ୍ଦ ମନେ,

ନିରନ୍ତର ନାନା କଥା ଚିନ୍ତେ ନିରଜନେ ।

 

ଭାବଇ ସେ କେତେବେଳେ ଭୀମ ସିଂହ ଛାର,

କରୁଅଛି ଅପମାନ ମୋର କ୍ଷମତାର ।

 

ବିଶାଳ ଭାରତ ଯା’ର କରତଳଗତ,

ବିଶାଳ ଭାରତେ ଯେହୁ ଅଟେ ଏକଛତ୍ର,

 

ଦିଲ୍ଲୀ ଯା’କୁ କରିଅଛି ମସ୍ତକେ ଧାରଣ

ଆକୁମାରୀ ହିମାଚଳ ପଶେ ଯା’ ଶରଣ,

 

ଭାରତର ଜଳତର ଜଳସ୍ଥଳ ପର୍ବତ ପ୍ରାନ୍ତର,

ହେଉଛନ୍ତି ଯା’ ର ମହା ପ୍ରତାପେ କାତର,

 

ଧନୀ ଯୋଗାଉଛି ଧନ ଯା’ ଆଜ୍ଞା ପ୍ରମାଣେ

ପାଦେ ଯା’ ର ସମର୍ପଣ ମାନୀ କରେ ମାନେ,

 

ସତୀ ଆଣି ଦେଇ ନିଜ ସତୀତ୍ୱରତନେ,

ବ୍ରତୀ ହୋଇଅଛି ଯା’ର ସେବାରେ ଯତନେ,

 

ରୂପସୀ ଦିଅଇ ହସି ରୂପ ଉପହାର,

ଅବିରତ ଆକର୍ଷିତ ହୋଇ ପ୍ରେମେ ଯା’ର-

 

ଓହୋ ଏ କି ହେଲା ତାର ଘୋର ପରିଣତି,

ସଙ୍ଗେ ସଙ୍ଗେ ସଘଂଟିତ ସମ୍ଭ୍ରମ ସଂହତି      

 

ବୃଥା ହେଲା ଏତେ କାଳ କଲି ଯେତେ ଶ୍ରମ,

ଧସିଗଲା ଏଥି ମୋର କାମନା-ସଂକ୍ରମ ।

 

କି କାରଣ ରଖି ଏହି ଚତୁରଙ୍ଗ ବଳ,

କି ବା ହିତ ସମ୍ପାଦିଲେ ଏତେ ବୀର୍ଯ୍ୟବଳ;

 

କି କର୍ମ ସାଧନ କଲେ ବୁଦ୍ଧି କଉଶଳ,

ସମ୍ରାଟ୍‌ ପଦବୀ ଲାଭେ ଅବା କିସ ଫଳ ?

 

ଛି’ ଛି’ ଏହି ରାଜପଦେ କିଛି ସୁଖ ନାହିଁ,

ବୋହିଥିବି ଏତେ ବୋଝ ବୃଥାରେ କିପାଇଁ ?

 

ଭାବୁଅଛି ଦିଲ୍ଲୀ ଫେରିଯିବି ମୁଁ ବହନ,

ବିସର୍ଜିବି ରାଜ୍ୟ ସହ ରାଜ-ସିଂହାସନ ।

 

କିପାଁ ରଖିଥିବି ଆଉ ଏ ଧନ ରତନ,

କରିବି ତା’ ଦୀନ-ଦୁଃଖ-ଜନେ ବିତରଣ ।

 

ଧରି ଯୋଗୀ ବେଶ ହେବି ଅରଣ୍ୟ ନିବାସୀ,

ଆନନ୍ଦେ ରହିବି ହୋଇ ଫଳମୂଳ-ଆଶୀ ।

 

ପିଇବି ନିର୍ଝର ଜାତ ସୁଶୀତଳ ଜଳ,

ପିନ୍ଧିବି ସହଜଲଭ୍ୟ ବୃକ୍ଷର ବକ୍‌କଳ ।

 

ଶୋଇବି ନିଶ୍ଚିନ୍ତ ମନେ ମୃଗ-ଚର୍ମାସନେ

ମୋହିବି ଭଜନ ଗାନେ ବନ୍ୟ ଜୀବଗଣେ ।

 

ସଂଯମ-ଅସ୍ତରେ କରି ରିପୁଙ୍କୁ ନିହତ,

କରୁଥିବି ଅନୁଧ୍ୟାନ ଈଶ୍ୱରେ ନିୟତ ।

 

କାମନା ଅଟଇ ସର୍ବ ଦୁଃଖର ନିଦାନ,

ସର୍ବାଗ୍ରେ କରିବି ତାର ବିନାଶ-ବିଧାନ ।

 

ନିରାଶେ ଏ ରୂପ-ଚିନ୍ତା ନ ହେଉଣୁ ଶେଷ

ଆଶାର ଅସାର ହୃଦେ କରେ ପରବେଶ ।

 

କେବେ ଧରି ମନୋହର ମୂରତି ମୋହିନୀ

ଟାଣିନିଏ ମନକୁ ତା’ ଆଶା-ପିଶାଚିନୀ ।

 

ଆଶ୍ୱାସ ବଚନେ ତାକୁ କରି ପ୍ରବୋଧିତ,

ମାୟାଜାଲେ କରିଦିଏ ଗାଢ଼େ ବିଜଡ଼ିତ ।

 

ଶୁଣି ତା’ ବଚନ ପୁଣି ଚାହିଁ ତା’ ସୁମୁଖ,

ହୋଇଯାଏ ଦୂରୀଭୂତ ସମ୍ରାଟ୍‌ର ଦୁଃଖ ।

 

ଉପଗତ ହୁଏ ପୁଣି ମନେ ନବ ବଳ,

ଆଶାର ଆଲୋକେ ଦିଶେ ଚୌଦିଗ ଉଜ୍ଜ୍ୱଳ ।

 

ଗଢ଼ିବସେ ମନେ ମନେ ସୁଖର ଭବନ,

ନବ ବଳେ ବଳୀୟାନ ପୁଣି ସେ ଯବନ ।

 

ଏ ରୂପେ ତା’ ହୃଦ କ୍ଷେତ୍ରେ ଆଶା-ନଇରାଶ୍ୟ

କରୁଥାନ୍ତି ନିଜ ନିଜ ବୀରତ୍ୱ ପ୍ରକାଶ ।

 

ବହୁକାଳ ବେନି ବୀର ରଚି ଘୋର ଋଣ,

ଶ୍ରାନ୍ତ ହୋଇ ଶେଷେ କଲେ ସନ୍ଧି ସଂସ୍ଥାପନ,

 

ସମ୍ରାଟ୍‌ ମାନସ ହେଲା ତେବେ ଯାଇ ଶାନ୍ତ,

କ୍ରମେ ଧରାଧାମେ କଲା ପ୍ରବେଶ ନିଶାନ୍ତ ।

 

ଉଚ୍ଚେ ତୋଳି ବୀଣାଜିଣା ସ୍ୱର ସୁକୋମଳ,

ଗାଇଲେ ପ୍ରଭାତୀ ଗୀତି ପରିଚାରୀଦଳ ।

 

ସମୀରଣ କରି ପୁଷ୍ପ-ବାସ ଆହରଣ,

ଧୀରେ ଧୀରେ ଚାରିଦିଗେ କଲା ବିଚରଣ ।

 

କ୍ରମେ ନଭେ ସମୁଦିତ ସହସ୍ର-କିରଣ,

ଧରଣୀରେ ବିକୀରଣ କରିଣ କିରଣ ।

 

ଏ ସମୟେ କ୍ଷଣସ୍ଥାୟୀ ନିଦ୍ରାରେ ସ୍ୱପନେ,

ଯାଇ ଉପଗତ ଆଲ୍ଲା, ପଦ୍ମିନୀ ସଦନେ ।

 

ଦେଖିଲା ସେ ଭୀମ ସହ ପଦ୍ମିନୀ ରୂପସୀ,

କରୁଛନ୍ତି ପ୍ରେମାଳାପ ଏକାସନେ ବସି ।

 

ପଦ୍ମିନୀ ଉରସେ ଶୋଭେ ତା’ ପ୍ରେରିତ ହାର,

ଶିରେ ମଣ୍ଡିଛନ୍ତି ଭୀମ ତାର ଉପହାର ।

 

ପଦ୍ମିନୀର ରୂପରାଶି ଅଗ୍ନିତେଜେ ଜଳେ,

ହାସ୍ୟ-ବିଭା ବିଭାସିତ ଶ୍ରୀମୁଖମଣ୍ଡଳେ ।

 

ତାକୁ ଦେଖି ଦୁହେଁ କଲେ ସାଦର ସମ୍ମାନ,

ବିନୟେ କହିଲେ କରିବାକୁ କ୍ଷମାଦାନ ।

 

ସହସା ଭୀଷଣନାଦୀ ବନ୍ଧୁକ ଗର୍ଜନେ

ଉଠିଲା ଜାଗ୍ରତ ହୋଇ ସମ୍ରାଟ୍‌ ସେ’ କ୍ଷଣେ ।

 

ଦେଖିଲା ସେ ଶୋଇଅଛି ଶିବିର ଭିତରେ,

ଭୀଷଣ ଯାତନା ଜାତ ହେଲା ତା’ ଅନ୍ତରେ ।

 

ନୀରବ ନିଶ୍ଚଳ ହୋଇ ରହି କିଛି କ୍ଷଣ,

ସ୍ୱପନ ବୃତ୍ତାନ୍ତେ କଲା ମନ ନିବେଶନ ।

 

କ୍ରମେ ତାର ମତି ହେଲା ଲୋଭାକୁଳ ଅତି,

ସ୍ୱପନକୁ ଦେବା ପାଇଁ ବାସ୍ତବ ମୂରତି ।

 

କି ଉପାୟେ ହୋଇପାରେ ସିଦ୍ଧ ମନୋରଥ,

ବିପଦରହିତ ହେବ ଗମନୀୟ ପଥ ।

 

ଭାବି ଭାବି କେତେ କାଳ ଏ ଭାବେ ଅତୀତ

ପ୍ରକୃତ ସିଦ୍ଧାନ୍ତେ ଶେଷେ ହେଲା ଉପନୀତ ।

 

ତରତରେ ପ୍ରାତଃକୃତ୍ୟ କରି ସମାପନ,

ତରତରେ ଧୋଇ ତାର ଶୁଶ୍ରୁଳ ଲପନ,

 

ତରତରେ କରି ମସୀ-ପାତ୍ର ଆନୟନ,

କାଗଜ କଲମ କଲା ଶ୍ରୀକରେ ଧାରଣ ।

 

ହୋଇ ଅତି ଧୀର ମତି ଗମ୍ଭୀର ପ୍ରକୃତି,

ଲେଖିଲା ପତରଟିଏ ଧରି ବହୁ ଧୃତି-

 

‘‘ସମ୍ମାନ-ଆସ୍ପଦ ସର୍ବ ଗୁଣ ଅଳଙ୍କୃତ,

ଉଦାରହୃଦୟ ଆର୍ଯ୍ୟ-ବୀର୍ଯ୍ୟ-ଅହଂକୃତ,

 

ପରମ ଧାର୍ମିକ ହଂସ-ବଂଶ-ଅବତଂସ,

ନରବର ବରାଦର୍ଶ ସୁମନସ-ଅଂଶ ।

 

ସର୍ବଜନମାନ୍ୟ ସର୍ବଜନ ଆଲମ୍ବନ,

ଚିତୋର ନିୟତି-ଦାତା ଚତୁର-ଆନନ ।

 

ରାଜନୀତି ବିଚକ୍ଷଣ ନ୍ୟାୟ-ପରାୟଣ,

ପରଜାପାଳକ ନରରୂପୀ ନାରାୟଣ

 

ପର ଉପକାରୀ ପରତାପ ପରଖର

ପର ସରଜନ ନାଶୀ ପରମେଶ ହର ।

 

ସର୍ବ ସୁଲକ୍ଷଣବନ୍ତ ଅଟ ହେ ଲକ୍ଷ୍ମଣ,

ସର୍ବ ସୁଲକ୍ଷଣବନ୍ତ ଯେମନ୍ତ ଲକ୍ଷ୍ମଣ ।

 

ତେଜର ନିଦାନ ଯଥା ପଦ୍ମିନୀ-ନାୟକ,

ତେଜର ନିଧାନ ତୁମ୍ଭେ ପଦ୍ମିନୀ-ନାୟକ ।

 

ମୂର୍ତ୍ତିମାନ କ୍ଷାତ୍ର ତେଜରୂପେ ବେନି ଜନ,

ଅବନୀରେ କରିଅଛ ଜନମଗ୍ରହଣ ।

 

ଚିତୋର ଗର୍ବିତା ପାଇ ତୁମ୍ଭ ପରି ପତି

ମସ୍ତକେ ତା’ ବିରାଜିତ ସ୍ୱାଧୀନତା ଛତି ।

 

ବୀରତ୍ୱ ମଣ୍ଡନେ ତା’ର ଲଲାଟ ମଣ୍ଡିତ,

ଆତ୍ମ-ନିର୍ଭରତା ବସ୍ତ୍ରେ ଗାତ୍ର ସୁଶୋଭିତ ।

 

ଅନୁବର୍ତ୍ତୀ ’ଛନ୍ତି ସଦା ତୁମ୍ଭ ପ୍ରଜାମାନେ,

ଚିରାଭ୍ୟସ୍ତ ମାତୃଭୂମି ହିତେ ପ୍ରାଣଦାନେ ।

 

ପ୍ରଜାଙ୍କୁ ପାଳନ କରୁଅଛ ପୁତ୍ରବତ

ଧର୍ମପଥେ କରୁଅଛ ଗମନ ସନ୍ତତ ।

 

ଦେଖି ତୁମ୍ଭ ଦେବତୁଲ୍ୟ ଉଚ୍ଚ ବ୍ୟବହାର

ଅପାର ଆନନ୍ଦ କରେ ମୋ ହୃଦ ବିହାର ।

 

ନ ଇଚ୍ଛଇ ତୁମ୍ଭ ସହ କରିବାକୁ ରଣ

ବରଞ୍ଚ ଇଚ୍ଛଇ କରିବାକୁ ବନ୍ଧୁପଣ ।

 

ଦୁଃଖମୟ ଏ ସଂସାରେ ହୋଇ କେ’ ଅମର

ଚିରଦିନ ରହିଅଛି ଅବା କରି ଘର ।

 

ଦିନ କ୍ଷଣ ଗଣି କାଳ ରହିଅଛି ଟାକି,

କାହାକୁ ରଖିବ ନାହିଁ ଶେଷରେ ସେ’ ବାକି ।

 

ବଳବୀର୍ଯ୍ୟ ଧନପଣ ସବୁ ତା’ ଅଧୀନ

ଦିନେ ହେଲେ ହେବେ ସେହି କାଳଗର୍ଭେ ଲୀନ ।

 

ଚୂର୍ଣ୍ଣ ହୁଏ ମନୁଷ୍ୟର ଦମ୍ଭ-ଅହଙ୍କାର,

ବଜ୍ର ସୁକଠିନ ଦନ୍ତ-ପନ୍ତିରେ ତାହାର ।

 

ଜାଣି ଜାଣି ଏ ସକଳ ଅଯଥା ବିବାଦ

ଭିଆଇବା କେବେ ନୁହେଁ ପରଶଂସାବାଦ ।

 

ଏଥିରେ ନା’ ଲାଭ ହେବ କି’ ଦେବ ପୌରୁଷ,

ଯେଉଁ ମନୁଷ୍ୟକୁ ରହିଥିବା ସେ ମନୁଷ୍ୟ ।

 

ତୁମ୍ଭ ସହ କରି ଏଣୁ ବନ୍ଧୁତା ସ୍ଥାପନ,

ଭାବିଅଛି କରିବାକୁ ସ୍ୱଦେଶ ଗମନ ।

 

ଆଉ ମଧ୍ୟ ଅଛି ଅନ୍ୟ ଏକ ଅନୁରୋଧ,

ତା’ ହେଲେ ତୁଟିବ ସବୁ ପ୍ରକାର ବିରୋଧ ।

 

ଶୁଣିଅଛି ପଦ୍ମିନୀଙ୍କ ଲୋକୋତ୍ତର କଥା,

ରୂପେ ଅତି ରୂପବତୀ ଗୁଣବତୀ ତଥା ।

 

ଭାଗ୍ୟ ବିନା ରୂପଗୁଣ ନୁହଇ ସମ୍ଭବ,

ରୂପର ଯେ ଅଧିକାରୀ ଗୁଣେ ହୀନପ୍ରଭ ।

 

ପ୍ରକୃତି କରଇ ଏହି ରୀତି ସମର୍ଥନ,

କଦାଚିତ ଘଟେ ଏହି ବେନିଙ୍କ ମିଳନ ।

 

ଏଣୁ ମୋ କାମନା ଥରେ ପଦ୍ମିନୀଙ୍କି ଦେଖି,

ସେ ମୂର୍ତ୍ତିକି ପୂଜୁଥାନ୍ତି ହୃଦପଟେ ଲେଖି ।

 

ଶୋଭା ସହ ଗୁଣରାଶି ଯହିଁ ସମ୍ମିଳିତ

ଦେବତା ସମାନ ତାର ଲାଭ ସୁନିଶ୍ଚିତ ।’’

 

ପତ୍ର ସମାପନେ ତାକୁ କରି ସୁଯତନ

ଦୂତେ ଦେଇ କଲା ରାଣା ନିକଟ ପ୍ରେରଣ ।

 

ଶାନ୍ତି ବୈଜୟନ୍ତୀ ଧରି ତହୁଁ ଦୂତବର,

ଅଶ୍ୱ-ଆରୋହଣେ ଗଲା ଚିତୋର ନବର ।

 

ପ୍ରହରୀ ଛାଡ଼ିଲା ପଥ ସନ୍ଦେଶ ବାହକେ

ଦୂତ ଉପଗତ ହେଲା ରାଣାଙ୍କ ସମକ୍ଷେ ।

 

ବିନୟ ବିନମ୍ର ହୋଇ ଦେଖାଇ ସମ୍ମାନ,

ଯୁକ୍ତ କରେ ଭକ୍ତିଭରେ ପତ୍ର କଲା ଦାନ ।

 

ଅଭିମୁଖ କରି ତହୁଁ ମହାରାଣା ପ୍ରତି,

ତଦବସ୍ଥ ହୋଇ କଲା ପଶ୍ଚାତକୁ ଗତି,

 

ରାଣାଙ୍କ ଆଦେଶେ ଦୂରେ କରି ଉପଦେଶ

ନେବାକୁ ରହିଲା ଚାହିଁ ତା’ ପ୍ରତି-ସନ୍ଦେଶ ।

 

ପତ୍ର ପଢ଼ି ରାଣା ହେଲେ ମନରେ ବିସ୍ମିତ

ଭାବିଲେ ବିରୁଦ୍ଧ ପୁଣି ହୋଇଛି କଳ୍ପିତ ।

 

ଏ ବିଷୟ ପରାମର୍ଶ କରି କାକା ସହ,

ତା’ପରେ କରିବା ଭଲ ପତ୍ର ବିନିମୟ ।

 

ବିଶ୍ରାମ ନେବାକୁ କହି ଦୂତେ ମିଷ୍ଟଭାଷେ

ତହୁଁ ଚାଲିଗଲେ ରାଣା ପିତୃବ୍ୟ ନିବାସେ ।

 

ଅସମୟେ ଲକ୍ଷ୍ମଣଙ୍କୁ କରି ବିଲୋକନ,

ବିଶେଷ ଚଞ୍ଚଳ ହେଲା ଭୀମ ସିଂହ ମନ ।

 

କି ସମ୍ୱାଦ ବାବା ବୋଲି ପଚାରନ୍ତେ ବୀର,

ଲକ୍ଷ୍ମଣଙ୍କ ମୁଖ ହୋଇଆସିଲା ଗମ୍ଭୀର,

 

ପିତୃବ୍ୟଙ୍କ କରେ ଦେଇ ସମ୍ରାଟ୍‌ ପତର

ବୋଇଲେ- ‘‘କର୍ତ୍ତବ୍ୟ ସ୍ଥିର କରନ୍ତୁ ସତ୍ୱର’’ ।

 

ପତ୍ରପାଠେ ଭୀମ ସିଂହ ହେଲେ ଆଚମ୍ୱିତ

ବୋଇଲେ ‘ପଦ୍ମିନୀ ଲୋଭେ ହୋଇ ଯେ ମୋହିତ,

 

ଆସିଅଛି ଏତେ ଦୂର ପ୍ରକାଶି ବିକ୍ରମ

ନେବାପାଇଁ ପଦ୍ମିନୀକି ବସିଛି ଅଧମ ।

 

ଏବେ ପୁଣି ହୃଦେ ତାର କରି କି ବିଚାର

ସମାଚାର ସହ ଦେଖ ପଠାଇଛି ଚାର ।

 

ବନ୍ଧୁଭାବେ ପୁଣି କରିଅଛି ଅନୁରୋଧ

ପଦ୍ମିନୀ ରୂପକୁ ଦେଖି ପାଇବ ପ୍ରବୋଧ ।

 

ସନ୍ତୋଷ ନ ଲଭେ ଜଳ ଦେଖି ତୃଷାତୁର,

ବରଞ୍ଚ ପିପାସା ତାର ବଢ଼ଇ ପ୍ରଚୁର ।

 

ଲଘୁତା ଆଣିବାପାଇଁ ମନରେ ଆମ୍ଭର

କେତେମତେ ବର୍ଷିଅଛି ପ୍ରଶଂସା-ସମ୍ୱର ।

 

ପ୍ରଥମେ ସେ କରି ଘୋର କପଟ ରଚନ

ସସ୍ତ୍ରୀକ ଦିଲ୍ଲୀକି ମୋତେ କଲା ନିମନ୍ତ୍ରଣ ।

 

ନ ଯିବାରୁ ଦେଖାଇଲା ରୋଷେ ରଣରଙ୍ଗ

ଧରି ବହୁ ଅନୀକିନୀ ମାତଙ୍ଗ ତୁରଙ୍ଗ ।

 

ପଦ୍ମିନୀ କି ଛାଡ଼ିଦେଲେ ନ କରିବି ରଣ

ବୋଲି ତହୁଁ କରିଥିଲା ସମ୍ୱାଦ ପ୍ରେରଣ ।

 

ନୋହିପାରିବାରୁ ସେହି କାମନା ସଫଳ,

ଏବେ ପୁଣି କରୁଅଛି ବନ୍ଧୁତାର ଛଳ ।

 

ନୁହଇ ବାନ୍ଧବଯୋଗ୍ୟ କେବେ ସେ ଦୁର୍ମ୍ମତି

ପରଦାର ଅନୁରକ୍ତ ସତତ ତା’ ମତି ।

 

ପିତୃନାଶ ପ୍ରଭୁନାଶ ଯେ ପାରଇ କରି

ତା’ ଠାରେ ରଖିବା ଆମ୍ଭେ ବିଶ୍ୱାସ କିପରି ?

 

ସମ୍ପ୍ରତି ସେ ଶତ୍ରୁରୂପେ ଏଥେ ସମାଗତ

ବନ୍ଧୁତା କରିବା ନୁହେ ତା’ ସଙ୍ଗେ ସଙ୍ଗତ ।

 

ନାନା ଛଳ କଉଶଳ ଜାଣଇ ଯବନ

ନିରନ୍ତର ମନ ତା’ର ପାପେ ନିମଗନ ।

 

ଯେ ରହିବ ହୋଇ ତାର ଚିର ଅନୁଗତ,

ନିର୍ବିକଳ୍ପେ ପାଳୁଥିବ ତା’ ଆଜ୍ଞା ସତତ,

 

ସର୍ବସ୍ୱ କରିବ ତାର କରେ ସମର୍ପଣ,

ନିଜସ୍ୱ ନ ଥିବ କିଛି ବୋଲିବାକୁ ଅନ୍ୟ,

 

ଅଖଣ୍ଡ ପ୍ରଭୁତ୍ୱ ତାର କରିବ ସ୍ୱୀକାର,

ସନ୍ତୋଷିବ ମନ ପୁଣି ହୋଇ ନିର୍ବିକାର,

 

ଏପରି ଭୂଷଣେ ଯେହୁ ଥିବ ପରିପୂର୍ଣ୍ଣ

ଆଲ୍ଲା ସହ ମିତ୍ରପଣେ ସେ ହେବ ନିପୁଣ ।

 

ପ୍ରକୃତିର ବହିର୍ଭୂତ ଆମ୍ଭ ଏ ସକଳ

ସମ୍ଭବିବ ନାହିଁ ଏଣୁ ଏଥିରୁ ମଙ୍ଗଳ ।

 

ଏବେ କାଳସ୍ରୋତ ଭିନ୍ନ ମୁଖେ ପ୍ରବାହିତ

ତାକୁ ଅନୁସରି କିନ୍ତୁ ଚଳିବା ବିହିତ ।

 

ଦେଶ-କାଳ-ପାତ୍ର ବୁଝି ବୁଦ୍ଧିବନ୍ତ ଜନ

ଆପଣା କର୍ତ୍ତବ୍ୟ କରିଥାନ୍ତି ନିରୂପଣ ।

 

ଏ ବିଷୟେ ଦୂରଦରଶିତା ନାହିଁ ଯା’ର

ଅନିଷ୍ଟ ଆଣଇ ଡାକି ଆପେ ଆପଣାର ।

 

ଗୁର୍ଜର-ସମରେ ଲାଭ ହୋଇଅଛି ଜୟ

ପରନ୍ତୁ ବିସ୍ତର ହୋଇଅଛି ବଳକ୍ଷୟ ।

 

ନ କରି ସଞ୍ଚୟ ଶକ୍ତି ପୁଣି କଲେ ରଣ

ଆନ୍ତର ବାସନା ହୋଇଯିବ ଅକାରଣ ।

 

ଭାବିଛି,ଏଣିକି ରଚି ଏକ ସୁମହାନ-

ପତିତ ଭାରତ କ୍ଷାତ୍ର ଶକ୍ତି ପ୍ରତିଷ୍ଠାନ,

 

ସକଳ ନରେଶ କରାଇବି ଏକତ୍ରିତ

ସାମ୍ୟ-ମୈତ୍ରୀ-ମନ୍ତ୍ରେ ପୁଣି କରିବି ମନ୍ତ୍ରିତ ।

 

କୁଳମାନ ଗୌରବର ଉନ୍ନତିସାଧନ

କରିବେ ସରବେ ହୋଇ ଏକ ପ୍ରାଣମନ ।

 

ପରସ୍ପର ପ୍ରତି ସଦା ସଦ-ବ୍ୟବହାର-

କରିବାରେ ଦୋଷ ଦୃଷ୍ଟ ନ ହେବ କାହାର ।

 

ମୁଖ୍ୟ ଧର୍ମ ହେବ ତାଙ୍କ ପରଜାରଞ୍ଚନ,

ମୁଖ୍ୟ ଧର୍ମ ହେବ ପ୍ରଜା ଦୂରିତ ଭଞ୍ଚନ,

 

ପ୍ରଜା ଉନ୍ନତିକି ମଣି ଆପଣା ଉନ୍ନତି,

ରାଜାମାନେ କରୁଥିଳେ ସେ ପଥରେ ଗତି,

 

କରିବେ ପରଜା ହିତ ଜୀବନର ବ୍ରତ,

କାର୍ଯ୍ୟ କରୁଥିବେ ନେଇ ପରଜାଙ୍କ ମତ ।

 

ଧର୍ମମାର୍ଗେ କରୁଥିବେ ସ୍ୱରାଜ୍ୟ-ଶାସନ,

ପ୍ରଜା-ନିର୍ବିଶେଷେ ପ୍ରଜା କରିବେ ପାଳନ,

 

ନ ଭାବିବେ ପ୍ରଜାଠାରୁ ନିଜକୁ ସ୍ୱତନ୍ତ୍ର

ରାଜଦଣ୍ଡ ଥିବ ଶୀତ-କାଳ ରୌଦ୍ରବତ ।

 

ଭାରତରେ ଗଢ଼ି ନବ ଜାତୀୟ ଜୀବନ,

ଭାରତବାସୀଙ୍କି ଦେଇ ନବଜାଗରଣ,

 

ଜନତାବସାଦ କରି ଚିର ବିଦୂରିତ,

ସୋଦର-ବିରୋଧ କରି ଚିର ନିର୍ବାସିତ

 

ପରିହରି ନିଜ କୁଳ ମାନ ଭେଦ ଜ୍ଞାନ,

ସର୍ବେ ବୋଲାଇବେ ଏକ ଭାରତ-ସନ୍ତାନ ।

 

ଭାରତର ସୁଖେ ଦୁଃଖେ ଯେହୁ ସମପ୍ରାଣ,

ଏକମାତ୍ର ଧ୍ୟାନ ଯା’ ର ଭାରତ କଲ୍ୟାଣ,

 

ଭାରତୀୟ ଜନେ ଥାଏ ଭ୍ରାତା ଜ୍ଞାନ କରି

ଭାରତ-ବିଦ୍ୱେଷୀ ଜନେ ମଣେ ଶତ୍ରୁ ପରି,

 

ହେଉ ସେ ବିଦେଶଭାଷୀ ଏ ଦେଶ ପ୍ରବାସୀ

ହୋଇଥାଉ ଅବା ଭିନ୍ନ ଈଶ୍ୱର-ବିଶ୍ୱାସୀ

 

ଭ୍ରାତୃପ୍ରେମେ କରି ତାକୁ ଗାଢ଼ ଆଲିଙ୍ଗନ

ଭାରତ-ଉନ୍ନତି-ଭିତ୍ତି କରିବା ସ୍ଥାପନ ।

 

ରାଜା ପ୍ରଜା ଏକତାର ଅଚ୍ଛେଦ୍ୟ ବନ୍ଧନେ

ବଦ୍ଧ ହୋଇଥିବେ ସଦା କାୟବାକ୍ୟ-ମନେ ।

 

ଭାରତେ ଯେପରି ହୋଇ ଧର୍ମ ଅଭ୍ୟୁଦୟ

ବହୁକାଳାର୍ଜିତ ପାପ କରିଦେବ କ୍ଷୟ ।

 

ଭାରତ-ସନ୍ତାନ ହୋଇ ଧର୍ମେ ବଳୀୟାନ

ନ ଘୁଞ୍ଚିବେ ଧର୍ମକାର୍ଯ୍ୟେ ଦେବାକୁ ପରାଣ,

 

ବିପଦ ସମୟେ କରି ଅନ୍ୟୋନ୍ୟେ ସାହାଯ୍ୟ

ଉଦ୍ଧରିବେ ଧର୍ମବଳେ ଭାରତ ସାମ୍ରାଜ୍ୟ ।

 

ଏ ବିଷୟେ ସାଧ୍ୟମତେ ଆତ୍ମ-ସମର୍ପଣ

କରିବି ମୁଁ ଧରି ଧର୍ମ-ପ୍ରାଣ ଭୂପଗଣ ।

 

ମୋର ସେହି ଇଚ୍ଛା କାର୍ଯ୍ୟେ ପରିଣତକାଳେ,

ନିର୍ମମ ବିଧାତା ଥାଇ ଚକ୍ଷୁଅନ୍ତରାଳେ,

 

କି ଗୂଢ଼ ଉଦ୍ଦେଶ୍ୟ ସିଦ୍ଧ କରିବାର ପାଇଁ,

ଆଲ୍ଲାଉଦ୍ଦୀନକୁ ଦେଲା ଏଠାକୁ ପଠାଇ ।

 

ଏଣୁ ମୁହିଁ ବିଚାରଇଁ ମନେ ଆପାତତଃ

ଯବନର ପ୍ରସ୍ତାବରେ ଦେବାପାଇଁ ମତ ।

 

ଜାଣୁ ଜାଣୁ ଭବିଷ୍ୟତ ପ୍ରତି ଦେଇ ଦୃଷ୍ଟି

ତା’ ବାକ୍ୟେ ସମ୍ମତ ହେଲେ ଅଛି କିବା ତ୍ରୁଟି ?

 

ଆଲ୍ଲାର ଉଦ୍ଦେଶ୍ୟ ଥିଲା ପ୍ରଥମେ ଦୂଷିତ

କେତେକାଂଶ ଏବେ ହୋଇଅଛି ସଂଶୋଧିତ ।

 

ପଦ୍ମିନୀପ୍ରାପ୍ତିର ଆଶା ହେବାରୁ ବିଲୀନ,

ପରିଶେଷେ ହୋଇ ମୂଢ଼ ଉପାୟବିହୀନ,

 

ବନ୍ଧୁତାର ବ୍ୟାଜ କରି କରିଛି କାମନା

ତା’ ରୂପର ଦରଶନ ସେହି ନୀଚମନା ।

 

ବନ୍ଧୁତାବିରୋଧୀ ଆଲ୍ଲା ବ୍ୟବହାରଚୟ

ଦେଖି ମନେ ସ୍ୱଭାବତଃ ଉପୁଜେ ସଂଶୟ ।

 

ତଥାପି ସେ ଦିଲ୍ଲୀ ଫେରିଯିବାକୁ ପ୍ରସ୍ତୁତ

ଥିବାରୁ, ଇଚ୍ଛାରେ ତାର ଅଛି ମୁଁ ସ୍ୱୀକୃତ ।

 

ଆଲ୍ଲା ଗଲେ ଦିଲ୍ଲୀ, ଯାହା ମିଳିବ ସମୟ

ଅଭୀଷ୍ଟସାଧନେ ତାହା କରାଯିବ ବ୍ୟୟ ।

 

ଏଣୁ ତାକୁ ଯଥାଶୀଘ୍ର କରି ସନ୍ତର୍ପିତ

ରାଜଧାନୀ ଦିଲ୍ଲୀକି ତା’ ପ୍ରେରଣେ ବିହିତ ।

 

ଏଥିରେ କି ମତ ଦେବେ ବୃଦ୍ଧ ମନ୍ତ୍ରିଗଣ

ପଚାରି ଦେଖିବା ଥରେ ତାଙ୍କୁ ପ୍ରୟୋଜନ ।

 

ବିପଦ ସମୟ ଯେବେ ହୁଏ ଉପଗତ

ଚଳିବା ବିହିତ ମାନି ପ୍ରାଚୀନଙ୍କ ମତ ।

 

ତହୁଁ ମନ୍ତ୍ରୀ ସଭାସଦ ହେଲେ ସମ୍ମିଳିତ

ପତ୍ରୋକ୍ତ ବିଷୟ ହେଲା ପୁନରାଲୋଚିତ ।

 

କିଛି କ୍ଷଣ ଲାଗିଗଲା ବାଦ-ବିସମ୍ୱାଦ,

କକ୍ଷ କମ୍ପାଇଲେ କେତେ କରି ଉଚ୍ଚନାଦ ।

 

କେତେ ଅବନୀରେ କରି କର ବିତାଡ଼ନ

ନିଜ କଥା ନିଜେ କରୁଥିଲେ ସମର୍ଥନ ।

 

ହସ୍ତପଦ ସଞ୍ଚାଳନେ ତର୍ଜନୀ-ତର୍ଜନେ

ନୃତ୍ୟ ଆରମ୍ଭିଲେ କେତେ ଅଯଥା ଗର୍ଜନେ ।

 

କେତେ ଅବା ଥିଲେ ତହିଁ ଗମ୍ଭୀରତା ବହି

ସମୟେ ସମୟେ ପଦେ ପଦେ କଥା କହି ।

 

ସିଦ୍ଧାର୍ଥ ନାମରେ ଥିଲେ ବୃଦ୍ଧ ମନ୍ତ୍ରୀ ଜଣେ,

ତାଙ୍କ ମତ ପଚାରିଲେ ତହୁଁ ସଭାଜନେ ।

 

ସେ ବୋଇଲେ ଭବୀ ଭୂତ ବର୍ତ୍ତମାନ ଚାହିଁ

କାର୍ଯ୍ୟ କରିଥାଏ ଲୋକ ବୁଦ୍ଧି ଅନୁଯାୟୀ ।

 

ବିବେକ ବିଚାର ସବୁ ବୁଦ୍ଧିବଳେ ଜାତ,

ବୁଦ୍ଧିରୁ ହୁଅଇ ଲୋକ ଋଦ୍ଧ ବୃଦ୍ଧିପ୍ରାପ୍ତ ।

 

ଏଣୁ ବୁଦ୍ଧି ଅନୁସରି କର୍ତ୍ତବ୍ୟ-କରମ,

କରିବାର ସବୁବେଳେ ଅଟଇ ଧରମ ।

 

ମୋ ବିଚାରେ ଦିଲ୍ଲୀପତି କାମନା ପୂରତି-

କରିବାରେ ନାହିଁ କିଛି ଆପତ୍ତି ସମ୍ପ୍ରତି ।

 

ଇଚ୍ଛା କରି ଆମ୍ଭଠାରେ ଶତ୍ରୁତାଚରଣ

କରିଥିଲା, ଏବେ ଲୋଡ଼ୁଅଛି ବନ୍ଧୁପଣ ।

 

ଦୁର୍ଗଜୟ କରିବାର ହେବାରୁ ଅସାଧ୍ୟ,

ଆମ୍ଭ ସଙ୍ଗେ ମିଶିବାକୁ ହୋଇଅଛି ବାଧ୍ୟ ।

 

ଔଦ୍ଧତ୍ୟ-ବର୍ଜିତ ନମ୍ର ବିନୟ ବଚନେ,

ଅନୁରୋଧ ଜଣାଇଛି କାମନାପୂରଣେ ।

 

ନୁହଇ ତା’ ଇଚ୍ଛା ଏବେ ସମ୍ମାନ-ନାଶିନୀ

ଦେଖୁ ହେଲେ ଥରେ ଆସି ଏଠାକୁ ପଦ୍ମିନୀ,

 

କୁଳବଧୂ-କୁଳ ଘେନି ପଦ୍ମିନୀ ଗହଣେ,

ଯିବେ କିଛି ଦୂର ମୁକ୍ତ-ଶିବିକାରୋହଣେ,

 

ସେତେବେଳେ ତାଙ୍କୁ ବାରେ ନୟନଗୋଚର,

କରିବ ସମ୍ରାଟ୍‌ ପାଇ ଶୁଭ ଅବସର ।

 

ଏଥିରେ ନ ହେବ କାହା ସମ୍ମାନ ଖରବ

କିମ୍ୱା ହାନି ହେବ ନାହିଁ ଆତ୍ମ-ଗଉରବ ।

 

ଜଣେ ଯାହା କରିଥାଏ କଷ୍ଟେ ସମ୍ପାଦନ

ବହୁଜନ ଦ୍ୱାରା ହୁଏ ସହଜେ ସାଧନ ।

 

ଏକ ପକ୍ଷେ ଦୂଷଣୀୟ ଯେଉଁ ଆଚରଣ

କ୍ଷମଣୀୟ ଆଚରିଲେ ତାହା ବହୁଜନ ।

 

ଦୀର୍ଘ-ଦୁର୍ଗ-ଅବରୋଧେ ଦୁର୍ଗବାସୀଗଣ,

ଦୀର୍ଘ କଷ୍ଟେ କରୁଛନ୍ତି କାଳ କରତନ ।

 

ଯେ ଉପାୟେ ସହଜରେ ଦୁଃଖ ହେବ ଦୂର

ତାକୁ ଅନୁସରିଥାନ୍ତି ସହଜ ବିଦୁର ।’

 

ବୃଦ୍ଧ ମନ୍ତ୍ରୀ-ବାଣୀ ଶୁଣି ସର୍ବ ସଭାସଦ

ଏକମତ ହେଲେ ତହିଁ ହୋଇ ଗଦଗଦ ।

 

କିନ୍ତୁ ଭୀମ ସିଂହ ହେଲେ ଈଷତ ଭାବିତ

ସିଦ୍ଧାର୍ଥ ବଚନେ କଲେ ଆପତ୍ତି କିଞ୍ଚିତ ।

 

ବୋଇଲେ ‘ଦର୍ପଣ-ବିମ୍ୱେ ଗୃହେ ପ୍ରଦର୍ଶନ

ପଦ୍ମିନୀଙ୍କି କଲେ ଅଛି, କି କ୍ଷତି କାରଣ ?

 

ସମସ୍ୱରେ ହୋଇ ସର୍ବେ ହର୍ଷପରାୟଣ,

ଭୀମଙ୍କ ପ୍ରସ୍ତାବ କଲେ ସାଦରେ ଗ୍ରହଣ ।

 

ଯଥାଯୋଗ୍ୟ ମାନ୍ୟ ପରେ ଉଚିତ ଉତ୍ତର

ଲେଖାଗଲା କରି ମହାରାଣାଙ୍କ ସ୍ୱାକ୍ଷର ।

 

ଦୂତ ପାଇ ପତ୍ର ନେଲା ତହିଁରୁ ବିଦାୟ

ମିଳିଲା ନିକଟେ ଯହିଁ ଥିଲା ବାଦଶାହ ।

 

ବସିଥିଲା ଆଲ୍ଲା କରି ପ୍ରତୀକ୍ଷା ଦୂତର

ଦେଖିଲା ସେ ଆଣିଅଛି ରାଣାଙ୍କ ଉତ୍ତର ।

 

ପଢ଼ିଲା ନିବିଷ୍ଟ ମନେ ବସି ନିରଜନେ,

ଆହ୍ଲାଦେ ଅଧୀର ହୋଇଉଠିଲା ତତ୍‌କ୍ଷଣେ ।

 

ଭାବିଲା ରୂପସୀ ହେଲେ ନେତ୍ର-ପଥଗତ

ସମୟରେ କରିନେବି ତାକୁ କରଗତ ।

 

ଦେଖିଲେ ସେ ମୋ ସ୍ୱରୂପ ଅତୁଳ ବିଭବ

ନ ହେବ କି ମନେ ତାର ମନୋଜ ସମ୍ଭବ ।

 

ସୁବେଶ ପୁରୁଷ ଦେଖି ସହଜେ କାମିନୀ

ଲଜ୍ଜା ତେଜି ହୋଇଥାନ୍ତି ତା’ ଅନୁରାଗିଣୀ ।

 

ପଦ୍ମିନୀ ଚାହିଁଲେ ମୋର ରତ୍ନମୟ ବେଶ,

ଆଉ କି ପଡ଼ିବ ତାର ନୟନେ ନିମେଷ ।

 

ଏହିରୂପେ ଆଲ୍ଲା ହୋଇ ଆହ୍ଲାଦିତ ଅତି

ପଦ୍ମିନୀ-ପ୍ରାପ୍ତିର ଆଶା କଲା ବଳବଦୀ ।

 

ସପ୍ତମ ସର୍ଗ

ରଜନୀର ତମୋମୟ ଦୁର୍ଗ କରି ଜୟ,

ଲୁଟି ତାର କୋଷୁଁ ତାରାରତନନିଚୟ,

 

ଆଲୋକ-ଦହନେ ଦହି ତାର ନିକେତନ,

ଅଳିମୁଖେ ଜୟଶଙ୍ଖ ଫୁଙ୍କି ଘନଘନ,

 

ଦର୍ପଭରେ ଦୁର୍ଗଶିରେ କରି ପଦାଘାତ,

ଉଡ଼ାଇ ଅରୁଣ-ବାନା ଆସିଲା ପ୍ରଭାତ ।

 

ବିଜୟୀ ସୈନିକ ରୂପେ ବିହଙ୍ଗମଦଳ

ଜୟ ରବେ ପୂର୍ଣ୍ଣ କଲେ ଗଗନମଣ୍ଡଳ,

 

ବିଷମ ବିପଦ ଆଗେ ହେବାରୁ ଆଗତ

ପଳାଇଲା ରାଜ୍ୟ ଛାଡ଼ି ରାତ୍ରି ହୋଇ ତ୍ରସ୍ତ ।

 

ରଜନୀକ ଚାହିଁ ପଳାୟନ-ପରାୟଣ

ସହଚରଗଣ କଲେ ତା’ ଅନୁସରଣ ।

 

ବଳେ କାଢ଼ି ନେଇ ନିଶା ସୁନୀଳ ବସନ

କଳିଙ୍ଗ-କୋକିଳ-କାଳ କଲେ ତା’ ଧାରଣ ।

 

ନିଶା ଦୁର୍ଦ୍ଦଶାରେ ପ୍ରାଣେ ଭରି ଅନୁତାପ

କପୋତ ସକଳ କଲେ କରୁଣ ବିଳାପ ।

 

ପ୍ରଭାତର ଦେଖି ଶୁଭମୟ ଆଗମନ

ଆନନ୍ଦେ ହସିଲା କୁନ୍ଦ ବିକାଶି ରଦନ ।

 

ସୁରଭି କୁସୁମପୁଞ୍ଜ ସଜାଡ଼ି ଯତନେ

ଛତ୍ର ଧରି ଉଭାହେଲା ମାଧବୀ ଗଗନେ ।

 

ସୁନାରି ସୁନାରି ଧରି ଦିବ୍ୟ ସ୍ୱର୍ଣ୍ଣହାର

ପ୍ରଭାତ ରାଜାଙ୍କୁ ଦେଲା ପ୍ରୀତି-ଉପହାର ।

 

ଲୋହିତ-ଅଧରା ଜବା ମନ୍ଦେ ମନ୍ଦେ ହସି

ଚରଣକିଙ୍କରୀ ପ୍ରାୟେ ଜବେ ଗଲା ବସି ।

 

ବକୁଳ ପାଦପ କରି କୁସୁମ-ବର୍ଷଣ

ଅଭିଷେକ କ୍ରିୟା କଲା ସବିଧି ସାଧନ ।

 

ମାଳତୀ ସୁରମ୍ୟ ବେଶେ ସାଜି ଅପଘନ

ବନ୍ଦାପନା କଲା ହୋଇ ସଲଜ୍ଜ ବଦନ ।

 

କୁସୁମିତ ଆମ୍ରତରୁ ଚାମର-ଚାଳନ

କରି , କଲା ପ୍ରଭାତର ଗୌରବ ବର୍ଦ୍ଧନ ।

 

ଗାଇଲା ପ୍ରଭାତ-ସ୍ତବ କୋକିଳ ବିପୁଳ

ଉଚ୍ଚନାଦେ ତୂରୀ ବଜାଇଲେ ଶିଖିକୁଳ ।

 

କେତକୀ ମତି କି କରି ପୂର୍ଣ୍ଣ ହର୍ଷଭରେ

ସୁତୀକ୍ଷ୍‌ଣ ଖଡ଼ଗ ନେଇ ଭେଟିଲା ଶ୍ରୀକରେ ।

 

ବନ୍ଦିନୀ ପଦ୍ମିନୀ ହୋଇ ବନ୍ଧନ-ମୁକତ

ହୃତ କୃତଜ୍ଞତା କଲା ପ୍ରଭାତେ ବ୍ୟକତ ।

 

ଏ କାଳେ ଚିତୋରେ ବାଜି ପ୍ରାତଃ ନହବତ

ନଗରୀବାସୀଙ୍କି କଲା ଯତନେ ଜାଗ୍ରତ ।

 

ଉଠି ପ୍ରାତଃକୃତ୍ୟ ସାରି ପୁରାଙ୍ଗନାଗଣ

ଗତ ଦିବସର କଥା କଲେ ଆଲୋଚନ ।

 

କେ ବୋଇଲା, ‘ଏ କି ହେଲା ଆଗୋ ପ୍ରିୟ ସହି,

ଯବନ-ପୀଡ଼ନ ଆଉ ହେବ ନାହିଁ ସହି ।

 

ପଦ୍ମିନୀକି ନେବା ପାଇଁ ଆସିଥିଲା ଖଳ

ନେଇ ନ ପାରିଣ ବେଗେ ଦେଖାଇଲା ବଳ ।

 

ନୋହିପାରିବାରୁ ପୁଣି ତହିଁ କୃତକାର୍ଯ୍ୟ

ରୂପ ତାଙ୍କ ଦେଖିବାକୁ ଚାହିଁଛି ଅନାର୍ଯ୍ୟ ।

 

ନୁହଇ ତ ଯବନର ମତିଗତି ଭଲ

ରୂପ ଦେଖି ହେବ ସିନା ତା’ ପ୍ରାଣ ବିକଳ ।

 

ଖୋଜିବ ସେ ପୁଣି ତାଙ୍କୁ ପାଇବାର ପଥ

ନ ପାଇ କି ହୋଇପାରେ କେବେ ସେ ନିରସ୍ତ ?

 

କି ବିଶ୍ୱାସେ ରାଣା ହେଲେ ତହିଁରେ ସମ୍ମତ

ଉପୁଜି ପାରଇ ଏଥୁଁ ଭୀଷଣ ଅନର୍ଥ ।

 

ଯେଡ଼େ ପ୍ରିୟବାଦୀ ହେଉ ସ୍ୱଭାବ ଦୁର୍ଜନ

କେବେ କି’ ସେ ହୋଇପାରେ ବିଶ୍ୱାସଭାଜନ ?

 

ଧନ ଧର୍ମ୍ମ ଧରା ନାରୀ ଯବନ ପ୍ରତାପେ,

ହେଇଛନ୍ତି କଲବଲ ଅନନ୍ତ ସନ୍ତାପେ ।

 

ପ୍ରତିକାର ପଥ କିଛି ନାହିଁ କି ଏ’ଥର

କେ ଜାଣିବ କି’ବା ଅଛି ଭଗ୍ୟେ ଚିତୋରର ।’

 

ଅନ୍ୟ କେ ବୋଇଲା, ‘କଲେ ସନ୍ଦେହ ଲଘଂନ,

ଇଷ୍ଟ ଲାଭ କରିଥାନ୍ତି ସିନା ଜନଗଣ ।

 

ଭବିତବ୍ୟ ଗର୍ଭ ସଦା ମହା ଅନ୍ଧକାର

ପଶିବାକୁ ତହିଁ ଅଛି କା’ର ଅଧିକାର ?

 

ଯହିଁ ଯେତେବେଳେ ଯାହା ହୁଏ ସଂଘଟିତ

ଶୁଭ ଇଚ୍ଛା ବିଧାତାର ତହିଁରେ ନିହିତ ।’

 

ଏହିପରି କୁହାକୁହି ହୋଇ ନାରୀଗଣ,

ଭବିଷ୍ୟତ ଭାବନରେ ହେଲେ ନିମଗନ ।

 

କାକ-ଡାକେ ଉଠି ଆଲ୍ଲାଉଦ୍ଦୀନ ଚଞ୍ଚଳ,

ସ୍ନାନବିଧି ସାରି ହୋଇ ଆନନ୍ଦ-ବିହ୍ୱଳ

 

ରୁଚିର ଉଜ୍ଜ୍ୱଳ ପଟ୍ଟବସ୍ତ୍ର ପରିଧାନ

କରି ଲଗାଇଲା ଅଙ୍ଗେ ଦିବ୍ୟ ଅଙ୍ଗତ୍ରାଣ,

 

ରତ୍ନମୟ ବେଶେ ହୋଇ ଯତନେ ସଜ୍ଜିତ,

ସର୍ବାଙ୍ଗ ଅତରବାସେ କଲା ସୁବାସିତ ।

 

ମହାମୂଲ୍ୟ ମହୋଜ୍ଜ୍ୱଳ ମଣି-ବିଖଚିତ

ସୁବର୍ଣ୍ଣ କିରୀଟେ କରି ମସ୍ତକ ମଣ୍ଡିତ ।

 

କଟିତଟ ସାରସନେ କଲା ଶୋଭମାନ

ହସ୍ତରେ ଧଇଲା ସ୍ୱର୍ଣ୍ଣ-ମୁଷ୍ଟିକ କୃପାଣ ।

 

ସ୍ୱର୍ଣ୍ଣଜରି ବିଜଡ଼ିତ ଚାରୁ ଉପାନହ,

ପାଦେ ଲାଗେ ପ୍ରକାଶିଲେ ଶୋଭା ଅତିଶୟ ।

 

ପଦ୍ମରାଗ ସୁରଚିତ ଏକ ପଦ୍ମଫୁଲ

ଅନ୍ୟ ହସ୍ତେ ଧରି, ଗତି ଗଲା ଅନୁକୁଳ ।

 

ସୁଶିକ୍ଷିତ ସୁବୀକ୍ଷିତ ସୁବେଶ ଭୂଷିତ

ଗଜରାଜ ପୃଷ୍ଠେ ଚଢ଼ି ହେଲା ସୁଶୋଭିତ ।

 

ନାରୀଏ ମଣ୍ଡିତ ହୋଇ ଦିବ୍ୟ ପରିଚ୍ଛଦେ

ବଜାଇଲେ ନାନା ବାଦ୍ୟ ବିଭିନ୍ନ ଶବଦେ ।

 

କିଛି ଦୂର ଯାଇ ପୁଣି ସମ୍ରାଟ୍‌ ସହିତ

ମଙ୍ଗଳେ ବିଦାୟ ଦେଇ ଫେରିଲେ ତୁରିତ ।

 

ଶରୀରରକ୍ଷକ ରୂପେ ଅଳ୍ପ ଅନୀକିନୀ

ଆଲ୍ଲାଉଦ୍ଦାନର ହେଲେ ପଶ୍ଚାତଗାମିନୀ ।

 

ଚାଲିଲେ ଚିତୋର ପଥେ ସକଳେ ଆବେଶେ,

କିଛିକ୍ଷଣେ ସମାଗତ ହେଲେ ଦ୍ୱାରଦେଶେ ।

 

ରାଣାଙ୍କ ଆଦେଶମତେ ଦେଖାଇ ସମ୍ମାନ

ଫାଟକ ଫିଟାଇ ଦେଲା ପ୍ରହରୀ ପ୍ରଧାନ ।

 

ଏହି ରୂପେ କ୍ରମେ ଯାଇ ନବର ସମ୍ମୁଖେ

ଉପସ୍ଥିତ ହେଲା ଆଲ୍ଲା ପ୍ରୀତିପୂର୍ଣ୍ଣ ମୁଖେ ।

 

ରାଣା ଭୀମ ସିଂହ ଥିଲେ ତହିଁ ଉପଗତ

ଆଲିଙ୍ଗିଲେ ସମ୍ରାଟ୍‌କୁ ବଢ଼ାଇ ଶ୍ରୀହସ୍ତ ।

 

ପ୍ରତି-ଆଲିଙ୍ଗନ ଦାନେ ସମ୍ରାଟ୍‌ ତତ୍‌କ୍ଷଣ

ଭୀମ ସିଂହଙ୍କର କଲେ ମର୍ଯ୍ୟାଦା ରକ୍ଷଣ ।

 

କୁଶଳ ଜିଜ୍ଞାସା ତହୁଁ କରି ପରସ୍ପର

ଦେଲେ ହର୍ଷଭରେ ଯଥାବିହିତ ଉତ୍ତର ।

 

ସମ୍ରାଟ୍‌କୁ ନେଇ ରାଣା ନବର ଭିତର

ବସାଇଲେ ଦିବ୍ୟାସନେ କରି ସମାଦର ।

 

ବିବିଧ ଆଳାପ କଲେ ତହିଁ ବେନି ବସି

ବୈରତାବର୍ଜିତ ଏ’କି ରାହୁ ଆଉ ଶଶୀ ?

 

ଅବା ଯେହ୍ନେ ଭେଗହେଲେ ପାର୍ଥ ଦୁର୍ଯ୍ୟୋଧନ

ଶ୍ରୀକୃଷ୍ଣଙ୍କୁ କରିଯିବା ସ୍ଥଳେ ନିମନ୍ତ୍ରଣ ।

 

ପରସ୍ପର କଥାସ୍ରୋତ ଚାଲିଛି ପ୍ରବଳ

କିନ୍ତୁ ସମ୍ରାଟ୍‌କୁ ତାହା ଲାଗୁନାହିଁ ଭଲ ।

 

ଯେ ଯାଏ ସେ ଦେଖୁନାହିଁ ରୂପ ପଦ୍ମିନୀର

ସେତେବେଳେ ମତି ତାର ହେଉଛି ଅସ୍ଥିର ।

 

କ୍ରମେ ମହା ବ୍ୟସ୍ତତାରେ ମଜ୍ଜିଲା ତା’ ମନ

ବିଶୃଙ୍ଖଳ ବାକ୍ୟାବଳୀ ବକିଲା ଯବନ ।

 

ଏ ସମୟେ ଫିଟିଗଲା ସମ୍ମୁଖ କିଳଣୀ

ଭିତରେ ଦିଶିଲା ଏକ ଅପୂର୍ବ ରମଣୀ ।

 

ରୂପର ପ୍ରଭାରେ ଗୃହ ହେଲା ଦୀପ୍ତିମାନ

ଝଟକି ଉଠିଲେ ତହିଁ ଥିବା ବସ୍ତୁମାନ ।

 

ଶମ୍ପା ସମ ତେଜ ତାର କରି ବିଲୋକନ

ସହସା ଝଲସିଗଲା ସମ୍ରାଟ୍‌ଲୋଚନ ।

 

ଦର୍ପଣରେ ହୋଇଅଛି ସେ ପ୍ରତିଫଳିତ

ତା’ ରୂପରେ ଆଲ୍ଲାମତି ହେଲା ବିଚଳିତ ।

 

ବିରଳାଭରଣା ହୋଇ ଶୋଭଇ ରୂପସୀ

ଏ ମୂର୍ତ୍ତି ଗଢ଼ିଲା ବିହି କେତେ କାଳ ବସି ।

 

ପଦ୍ମୋପରି ଇନ୍ଦୀବର ହେଲା ପ୍ରାୟେ ସ୍ଥିତ

ବଦନେ ନୟନ ବେନି ଦିଶନ୍ତି ଲଳିତ ।

 

ତହିଁ ପାଶେ ବସିଥିଲେ ଯାଦୃଶ ଖଞ୍ଜନ ।

ଭ୍ରୂଲତା ସେପରି କରେ ମାନସରଞ୍ଜନ ।

 

ତିଳଫୁଲ ଜିଣି ଦିଶେ ନାସିକା ରୁଚିର

ମଦନର ଅଟେ ଏକ ଦ୍ୱିମୁଖ ତୂଣୀର ।

 

ଶ୍ରବଣଯୁଗଳ କେଶ ବେନିପ୍ରାନ୍ତେ ତା’ର

ଫୁଟିଛି କି ପୁଷ୍ପଦ୍ୱୟ ଅପରାଜିତାର ।

 

ସୁପକ୍ୱ ବିଶ୍ୱର ରୁଚି କରି ଆହରଣ

ଅଧରଯୁଗଳ ଆହା ଦିଶେ କି ଯତନ ।

 

ମାର୍ଜିତ ମୁକୁର ପରି ଶୋଭେ ଗଣ୍ଡସ୍ଥଳ

ସମୀର ପରଶେ ଯେହ୍ନେ ହେବ ସେ ସମଳ ।

 

ଉଜ୍ଜ୍ୱଳ ଲଲାଟପଟ କରେ ପ୍ରକଟନ

ଉଜ୍ଜ୍ୱଳ ଲଲାଟପଟ ଯାବତ ଲକ୍ଷଣ ।

 

ସୁଗଠିତ ଗ୍ରୀବାଦେଶ ମଞ୍ଜୁ କମ୍ୱୁ ସମ,

ମନ କରେ ଆକର୍ଷଣ ଡମ୍ୱରୁ-ମଧ୍ୟମ ।

 

ମୃଣାଳ ସଦୃଶ ରଜୁ ଭୁଜଯୁଗ ଶୋଭେ

ଅନାଇ ଅଛିକି ଉରୁ କରଭ ତା’ ଲୋଭେ ।

 

ପଦ ଚାହିଁ ସରୋଜିନୀ ହେବ ସୁଲଜ୍ଜିତ

ମୋତି ତୁଲ୍ୟ ନଖାବଳି ତହିଁ ବିଜଡ଼ିତ ।

 

ଶରୀରକାନ୍ତିରୁ ବାସ ଦିଶଇ ମଳିନ,

ଅପଘନ ନବନୀତ ନିଭ ଅକଠିନ ।

 

ସୁନ୍ଦରୀର ରୂପାମୃତ ନେତ୍ରେ କରି ପାନ

ଲୁପ୍ତ ହେଲା ସମ୍ରାଟ୍‌ର ବେଗେ ବାହ୍ୟ-ଜ୍ଞାନ ।

 

ଭାବିଲା ସେ ସ୍ୱର୍ଗପୁରେ ହୋଇ ଉପନୀତ,

ସମ୍ମୁଖେ ଦେଖୁଛି ଏହି ଅପରୂପ ଚିତ୍ର ।

 

କେଉଁ ଅପସରା ଏ’କି ଦେଲା ଦରଶନ

ଅଥବା ଏ ଶଚୀ ସୁରପତି-ପ୍ରାଣଧନ ।

 

ଚିତ୍ରାର୍ପିତ ପ୍ରାୟେ ଏକ ଧ୍ୟାନେ ଏକ ମନେ

ନିରେଖଇ ସେ ଛବିକି ଅତୃପ୍ତ ନୟନେ ।

 

ପଲକ ପଡ଼ିଲେ କାଳେ ଯିବ ସେ ପଳାଇ

ଏଣୁ ଅପଲକ ହୋଇ ରହିଛି ଅନାଇଁ ।

 

ଚାହୁଁ ଚାହୁଁ ମୂର୍ତ୍ତି ତହୁଁ ହେଲା ଅପସୃତ

ସଙ୍ଗେ ସଙ୍ଗେ ଦ୍ୱାର ରୁଦ୍ଧ ହୋଇଗଲା ଦ୍ରୁତ ।

 

ସେତେବେଳେ ସଞ୍ଚରି ତା’ ପ୍ରକୃତ ଚେତନା

ମନେ ଉପୁଜାଇ ଦେଲା ବିଷମ ଯାତନା ।

 

ତହୁଁ ତାକୁ ଚଉଦିଗ ଦିଶିଲା ଅନ୍ଧାର

ନ ଦିଶିଲା ଘର ଦ୍ୱାର ଅଥବା ପନ୍ଦାର ।

 

ସ୍ଥିରନେତ୍ରେ ବିଲୋଚନ କରି ବିଲୋକନ

ଅନ୍ୟତ୍ର ଚାହିଁଲେ ତାହା ଦିଶଇ ଯେସନ ।

 

ଅବା ରାତ୍ରେ ଦୀପାଲୋକେ ରହି ଅକସ୍ମାତ

ଯଥା ଦିଶେ ବାହାରକୁ କଲେ ଦୃଷ୍ଟିପାତ ।

 

କ୍ରମେ ଦୃଷ୍ଟ ହେଲା ତାର, ନୟନେ ସକଳ

ସେହି ଘର ସେହି ଦ୍ୱାର ଅଛି ଅବିକଳ ।

 

କିନ୍ତୁ ପ୍ରାଣ-ବିମୋହିନୀ ନାହିଁ ସେ ପ୍ରତିମା

ଘରକୁ ଉଜଳୁଥିଲା ଯା’ ରୂପ ଗରିମା ।

 

ମନେ କଲା ଇନ୍ଦ୍ରଜାଲ ଏ’ କି ଅଦଭୁତ

ଜାଗ୍ରତ ସ୍ୱପନେ ଅବା ହେଲି ଅଭିଭୂତ ।

 

ମହା ସନ୍ତୋଷର ବ୍ୟାଜ ଦେଖାଇ ଯବନ,

ମିଷ୍ଟାଳାପେ ପରିତୋଷି ଭୀମ ସିଂହ ମନ ।

 

କରିବାକୁ ନିଜ ଅଶିଷ୍ଟତା ପରିହାର

ବିନୟେ ଜଣାଇ ଦେଲା ନବରୁ ବାହାର ।

 

ସରଳହୃଦୟ ଭୀମ ସିଂହ ମହାମତି,

ଦୁର୍ଗ ପାଦଦେଶଯାଏ ସଙ୍ଗେ କଲେ ଗତି ।

 

ଫାଟକୁ ବାହାର ହୋଇ କରି ଆଲିଙ୍ଗନ

ରାଣାଠାରୁ ଆଲ୍ଲା କଲା ବିଦାୟ ଗ୍ରହଣ ।

 

ଏ ସମୟେ ଅତର୍କିତେ ଏକ ସୈନ୍ୟଦଳ

ବନ୍ଦୀ କଲେ ଭୀମ ସିଂହେ ଦେଖା ସ୍ୱବଳ ।

 

ଅପ୍ରସ୍ତୁତ ରାଣା ହୋଇ ସୈନିକବେଷ୍ଟିତ

ଯବନ ଶିବିରେ ଯାଇ ହେଲେ ଅବସ୍ଥିତ ।

 

ବେଗେ କରିଦେଲା ଆଲ୍ଲା ଘୋଷଣା ପ୍ରଚାର,

ପଦ୍ମିନୀ ପାଇଲେ ଭୀମ ଲଭିବେ ନିସ୍ତାର ।

 

ଦୁର୍ଗ ପାଦଦେଶ ଥିଲେ ଅଳପ ପ୍ରହରୀ,

ନ ପାରିଲେ ଭୀମ ସିଂହେ କେହି ରକ୍ଷାକରି,

 

ଶକ୍ତିର ଅତୀତ ହେଲା ତାଙ୍କ ସେହି କାର୍ଯ୍ୟ

ବିଧାତା ବିଧାନ ସିନା ଅଟେ ଅନିବାର୍ଯ୍ୟ ।

 

ପ୍ରହରୀଏ ଦୁର୍ଗେ ଆସି ବିଦ୍ୟୁତ୍‌ ବେଗରେ

ଯାଇ ଉପସ୍ଥିତ ହେଲା ଲକ୍ଷ୍ମଣ ଆଗରେ ।

 

ବସିଥିଲେ ସେହି ବୀର ରାଜସଭାସ୍ଥଳେ

ସେ ବିଷୟ ନିବେଦିଲା ଚରଣକମଳେ ।

 

ଲକ୍ଷ୍ମଣ ସେ ବାର୍ତ୍ତା ଶୁଣି ହେଲେ ଚମକିତ

ଦୁଃଖେ ଶୋକେ କ୍ଷଣେ ହୋଇଗଲେ ନିମଜ୍ଜିତ ।

 

ସଭାସ୍ଥ ବୀରଙ୍କୁ ତହୁଁ ଭାଷିଲେ ଏସନ

‘‘ଦ୍ୱିପଥେ ପଥିକ ସଦା ଦୁରାତ୍ମା ଯବନ ।

 

ଜଣାଗଲା ଏବେ ତାର ମିତ୍ରତା କି ରୂପ

କରୁଥିଲା ଆମ୍ଭ ପ୍ରତି ସିନା ସେ ବିଦ୍ରୁପ ।

 

ବନ୍ଦୀକରି ଭୀମ ସିଂହେ ବୋଲୁଛି ପାମର

ପଦ୍ମିନୀ ପାଇଲେ ହେବ ମୁକତି ଭୀମର ।

 

କେ ସହିବ ବହି ରକ୍ତ-ମାଂସର ଶରୀର

ଆଲ୍ଲାଉଦ୍ଦୀନର ଏହି ଦର୍ପମୟ ଗିର ?

 

ରମଣୀ-ଉତ୍କୋଚଦାନେ କେବେ କି ଚିତୋର

ବହିବ ଅକଥନୀୟ ଏ କଳଙ୍କ ଘୋର ?

 

ବୀର ଜାତି ବୋଲି ଯେବେ କର ଅହଙ୍କାର,

ଢାଲ ତଲବାର ଯେବେ ତୁମ୍ଭ ଅଳଙ୍କାର,

 

ଚିତୋରୀର ବଂଶଗତ ସମ୍ମାନରକ୍ଷଣ,

କରିବାକୁ ବଳୁଅଛି ଯେବେ ତୁମ୍ଭ ମନ,

 

ହେଉଅଛି ଯଦି ତୁମ୍ଭ ରକ୍ତ ତରଳିତ,

ଶତ୍ରୁ ଅତ୍ୟାଚାରେ ପୁଣି ପ୍ରାଣ ଆକୁଳିତ,

 

ଅକ୍ଷୟ ଅମର କୀର୍ତ୍ତି ମର୍ତ୍ତ୍ୟରେ ସ୍ଥାପନ

କରିବାର ଶକ୍ତି ଯେବେ କରିଛ ଅର୍ଜନ,

 

ଯାଇ ବେଗେ ଘୋର ରଣେ ପଶି ଅକସ୍ମାତ

ଯବନର ବଳ ଦର୍ପ କର ଧୂଳିସାତ ।

 

ତହିଁ ସଙ୍ଗେ ଭୀମଙ୍କର ବନ୍ଦିତ୍ୱ ମୋଚନ-

କରି, କର ଉତ୍ତୋଳନ ବିଜୟ-କେତନ ।’’

 

ରାଣା-ବାକ୍ୟେ ଉତ୍ତେଜିତ ହୋଇ ବୀରଗଣ,

ଉଠିଲେ ଗରଜି ଦର୍ପେ ବରଜି ଆସନ ।

 

ବୋଇଲେ ସକଳେ ‘‘ଚାଲ ରଚି ମହାରଣ,

ଉଦ୍ଧାରିବା ଭୀମେ ଚେଷ୍ଟା କରି ଆମରଣ ।

 

ନିଶ୍ଚୟ ଏ ବାକ୍ୟ କେବେ ନୋହିବ ଅନ୍ୟଥା

ଗଲେ ପଛେ ଯିବ ରଣ-କ୍ଷେତ୍ରେ ଆମ୍ଭ ମଥା ।’’

 

ତହୁଁ ଯାଇ ସର୍ବେ ହେଲେ ରଣାର୍ଥ ପ୍ରସ୍ତୁତ,

ପ୍ରଭାତରୁ ଅଭିଯାନ ହେଲା ସ୍ଥିରୀକୃତ ।

 

ବଜ୍ରପାତ ପରି ସେହି ଦାରୁଣ ସମ୍ୱାଦ

ଚିତୋରବାସୀଏ ଶୁଣି ଭଜିଲେ ପ୍ରମାଦ ।

 

ସ୍ଥାନେ ସ୍ଥାନେ ବସି ଜନେ ବୋଇଲେ କି ହେଲା,

ମରଣୁ ଅଧିକ ଲଜ୍ଜା ଆସି ଦେଖାଦେଲା ।

 

ସମ୍ପଦେ ବିପଦେ ଯେହୁ ଆମ୍ଭ ଅଗ୍ରପତି

ତାକୁ ବନ୍ଦୀ କରିଅଛି ଯବନ ଦୁର୍ମତି ।

 

ବନ୍ଧୁତା ଦେଖାଇ କଲା କି ଘୋର ବଞ୍ଚନା

କି ରୂପେ ସହିବା ଏହି ଦୁଃସହ ଲାଞ୍ଚ୍ଥନା ।

 

ବିଶ୍ୱାସେ ମିଶାଇ ବିଷ ପାପିଷ୍ଠ ସମ୍ରାଟ୍‌

ଘଟାଇ ଦେଇଛି ଅହୋ ଭୀଷଣ ବିଭ୍ରାଟ ।

 

ଶତ ଧୌତ କଲେ ମଧ୍ୟ ହୁଏ କି ଅନ୍ତର

ଅଙ୍ଗାରର ମଳିନତା କିଞ୍ଚିତ ମାତର ?

 

ଆଶୀବିଷେ କରାଇଲେ ମଧ୍ୟ ପୟଃପାନ

ବିଷ ଛଡ଼ା ମୁଖୁ ତାର ନ ବାହାରେ ଆନ !

 

ଶୁଣିଲେ ପଦ୍ମିନୀ ରାଣୀ ଏ ମନ୍ଦ ସନ୍ଦେଶ

କାନ୍ଦି କାନ୍ଦି ଜୀବନକୁ କରିଦେବେ ଶେଷ ।’’

 

ମୃଗ ଜାଲେ ପଡ଼ି ଯଥା ବିମର୍ଷକେଶରୀ

ଯବନ ଶିବିରେ ରାଣା ହେଲେ ସେହିପରି ।

 

ନ କହି କାହାକୁ କିଛି ହୋଇ ମୌନବ୍ରତ

ଦୀର୍ଘଶ୍ୱାସ ତେଜୁଥାନ୍ତି ସେ ଅନବରତ ।

 

ଶତ୍ରୁଠାରେ କରି ସିନା ବିଶ୍ୱାସ ସ୍ଥାପନ

ଏ ଘୋର ବିପଦ ରାଣା କଲେ ନିମନ୍ତ୍ରଣ ।

 

ଯବନର ଶଠତାରେ ହୋଇ ନିପତିତ

କି କଷ୍ଟରେ କରୁଛନ୍ତି ସମୟ ଅତୀତ ।

 

ପରମ ଧାର୍ମିକ ଭୀମ ଧର୍ମ ତାଙ୍କ ବଳ

ଏ ବିପଦୁ ଉଦ୍ଧରିବେ ତାଙ୍କୁ ସେ କେବଳ ।

 

ସେ ଦିଗେ ଭୀମଙ୍କ ଶୁଣି ବିପଦ ବାରତା

ବିଷାଦେ ପଦ୍ମିନୀ ହେଲେ ମରମ-ଆହତା ।

 

ବୋଇଲେ, ‘‘ହେ ହୃଦନାଥ ଏକା ମୋହ ପାଇଁ

ଏ ଘୋର ବିପଦ-ଜାଲେ ପଡ଼ିଗଲ ଯାଇ ।

 

ମୁହିଁ ତ ତୁମ୍ଭର ନାଥ ବିପଦ କାରଣ

କିପାଁ କରୁ ନାହିଁ ମୋତେ ମରଣ ବରଣ ।

 

ଧିକ୍‌ ଏ ରୂପକୁ ଏ’ତ ଅନର୍ଥ ଆକାର,

ଏଥିଲାଗି ଲୋଭାକୃଷ୍ଟ ଯବନ ବର୍ବର ।

 

ନେଲା ଦୁର୍ଗ ପାଦଦେଶ ମିଷ୍ଟାଳାପେ ଛନ୍ଦି,

ଶେଷେ କଲା ଅସହାୟ ତୁମ୍ଭଙ୍କୁ ସେ ବନ୍ଦୀ ।

 

ବର୍ଜନୀୟ ହୋଇଥିଲେ ଏ ରୂପ ମୋହର

ବରଳି ଦିଅନ୍ତି, ତିଳେ ନ ହୋଇ କାତର ।

 

ବୃଥା ସିନା ତୁମ୍ଭ ବିନା ଜୀବନ ଯୌବନ

କାହାକୁ କରିବି ସେବି ଧର୍ମ ଅରଜନ ?

 

ତୁମ୍ଭେ ଅଟ ପ୍ରାଣନାଥ ମୋର ସର୍ବସାର

ଧନଜନ ତୀର୍ଥ ବ୍ରତ ସକଳ ସଂସାର ।

 

ବିବେକ ବିଚାର ବୁଦ୍ଧି ତୁମ୍ଭେ ମୋ ସକଳ,

ମାନସର ଅହଙ୍କାର ହୃଦୟର ବଳ ।

 

ଯବନ ଘୋଷଣା ଶୁଣି କାନ୍ଦୁଛି ପରାଣ

ହୃଦେ ବସି ଦୟା ବହି କର ବୁଦ୍ଧିଦାନ ।

 

କି ରୂପେ ଫିଟିବ ତୁମ୍ଭ ମୁକତିର ପଥ

ସତୀତ୍ୱ ମୋହର ପୁଣି ଥିବ ଅବ୍ୟାହତ ।’’

 

ଏ ରୂପେ ପଦ୍ମିନୀ କଲେ କରୁଣ-କ୍ରନ୍ଦନ,

ନୟନୁ ଆକୁଳେ ନୀର ବହିଲା ସଘନ ।

 

ତହୁଁ ସେ ନୀରବ ହୋଇ ସଖୀ ପ୍ରବୋଧନେ

ମତି ଦେଲେ ପତି-ମୁକ୍ତି-ଉପାୟ ଚନ୍ତନେ ।

 

ଅଷ୍ଟମ ସର୍ଗ

ଜଗତ ନୟନ ରବି ହେଲେ ଅସ୍ତଗତ

ସନ୍ଧ୍ୟା ଆସି ବିସ୍ତାରିଲା ନିଜ ଆଧିପତ୍ୟ ।

 

ସୁରଙ୍ଗ ଦୁକୂଳ ଅଙ୍ଗେ କରି ପରିଧାନ,

ଅନଙ୍ଗ-ମୋହିନୀ ରୂପେ ହେଲା ଦୃଶ୍ୟମାନ ।

 

ଭ୍ରମର ରବରେ କରି ବଲ୍ଲକୀ ବାୟନ

ଗାଇଲା ଝିଙ୍କାରୀ କଣ୍ଠେ ସଂଗୀତ ମୋହନ ।

 

ବାଳଇନ୍ଦୁ ବିରାଜିତ ଗଗନମଣ୍ଡଳେ

ସିନ୍ଦୁର ବିନ୍ଦୁ କି ଶୋଭେ ତା’ ଭାଲପଟଳେ ।

 

ସୁରଭିତ ଦେହ ତା’ର କୁସୁମ ସୁବାସେ

ଜନମନ ମୁଗ୍‌ଧ କରେ ମନ୍ଦ ମନ୍ଦ ହାସେ ।

 

ଉତ୍ସବ ଦର୍ଶନ ପାଇଁ ନାରୀଏ ଯେମନ୍ତ,

ବାସ-ଭୂଷା ପିନ୍ଧି ହୋଇଥାନ୍ତି ବହିର୍ଗତ,

 

ସେ ରୂପେ ସଜ୍ଜିତ ହୋଇ କୁସୁମ ସମ୍ଭାରେ

ଶୋଭିଲେ ବ୍ରତତୀ ତରୁ ବିବିଧ ପ୍ରକାରେ ।

 

ତରୁଲତା ପାଖ ପଶି ଚୋର-ସମୀରଣ

ଚଞ୍ଚଳ ପଳାଏ କରି ସୁରଭି ହରଣ ।

 

ନବ ବଧୂ ପରି କେତେ ତାରକା ଗଗନେ

ଥରେ ଦେଖା ଦେଇ ପୁଣି ଲୁଚନ୍ତି ଗୋପନେ ।

 

ମାର୍ଗଣ ବ୍ରାହ୍ମଣ ବେଶେ ଅଳି ଉପଗତ

ଗୀତ ଗାଇ ଫୁଲେ ଫଲେ ଭିକ୍ଷାରେ ସେ ରତ ।

 

ଦିବସେ ଅବୈଧ ପ୍ରେମେ ଥିବାରୁ ଆସକ୍ତ,

ରଥାଙ୍ଗ ମିଥୁନ ହୋଇ ସନ୍ଧ୍ୟା-ଶାପଗ୍ରସ୍ତ,

 

ପରସ୍ପର ନିକଟରୁ ମେଲାଣି ମହନ

ଘେନି ଚାଲିଗଲେ ଦୁହେଁ ହୋଇ ଖିନ୍ନମନ ।

 

ହସହସ ମୁଖ ହେଲା କାସାରେ କୁମୁଦ

ଫିଟାଇ କି ଦେଖାଇଲା ନିଜ ହୃଦମୁଦ ।

 

ଗିରି ଶିରେ ତୈଳହୀନ ସୁରମ୍ୟ ମଶାଲ

ଧାଡ଼ି ଧାଡ଼ି ଉଜଳିଲେ ଜାଳି ଚକ୍ରବାଳ ।

 

ଯତ୍ର ସନ୍ଧ୍ୟାବାସ ରୂପେ ଧ୍ରୁବ ବିହାୟସେ,

ଯହିଁରେ ଉଇଁଲେ ତହିଁ ରହିଲେ ହରଷେ ।

 

ପ୍ରଦୋଷ ଅତିଥିବେଶୀ ଆସି ଗାଭୀଗଣ,

କଲେ ନିଜ ନିଜ ସ୍ୱାମୀ-ଆଳୟ ମଣ୍ଡନ ।

 

‘ପଦ୍ମିନୀ ରୂପସୀ’ ବସି ଏ କାଳେ ବିଜନେ,

ଭାବନା ସାଗରେ ଭାସି ଭାସି ଏକମନେ.

 

ପତିଙ୍କ ମୁକତିପଥ ଖୋଳିଲେ ବହୁତ

କିନ୍ତୁ କାହିଁ ହେଲା ନାହିଁ ମତି ପରିତୃପ୍ତ ।

 

ଏହି ରୂପେ ବସି ବସି କେତେକ ସମୟ

ସହସା ମାନସେ ହେଲା ବୁଦ୍ଧିଏ ଉଦୟ ।

 

ଆଶା-କ୍ଷୀଣାଲୋକେ ତହିଁ ହେଲା ମୁଖୋଜ୍ଜ୍ୱଳ

ଭାବିଲେ ତା’ କଲେ କିପାଁ ନ ହେବ ସଫଳ ?

 

କରିବାକୁ ସେ ଉପାୟ କାର୍ଯ୍ୟେ ରୂପାୟିତ

‘ବାଦଲ’ ସହିତ ‘ଗୋରା’ ହେଲେ ଆମନ୍ତ୍ରିତ ।

 

ରାଣୀ ଆବାହନ ଶୁଣି ଆସିଲେ ଉଭୟେ,

କିପାଇଁ ଡ଼ାକିଲ ମାତଃ ବୋଇଲେ ବିନୟେ ।

 

ଅଶ୍ରୁମୁଖୀ ହୋଇ ତହୁଁ ଭାଷିଲେ, ‘ପଦ୍ମିନୀ’-

‘‘ସଂସାରେ ମୋ’ ଠାରୁ ଆଉ କେ’ ଅଛି ପାପିନୀ !

 

ଦେଖ ପ୍ରାଣପତି ପଡ଼ିଛନ୍ତି ବନ୍ଦିଘରେ,

ପାପମତି ଯବନର ଶିବିର ଭିତରେ ।

 

ଏ ରାଜନବରେ ରହି ମୁଁ ହତଭାଗିନୀ

ପତି ପାଇଁ ପ୍ରାଣାନ୍ତକ ଯାତନା-ଭାଗିନୀ ।

 

ବୋଲୁଛି ଯବନ, ହେଲେ ମୁଁ ତା’ କରଗତ

ତେବେ ଯାଇ ପ୍ରାଣନାଥ ହେବ ପ୍ରତ୍ୟାଗତ ।

 

କେଡ଼େ ନୀଚମନା ସେହି ଯବନ ରାଜନ

କାହାଠାରେ କେଉଁ କଥା କରେ ଉତ୍‌ଥାପନ ।

 

ଦିଲ୍ଲୀଶ୍ୱର ବୋଲି ଥାଇପାରେ ତା’ ଗରବ,

ଥାଇପାରେ ହିମାଳୟ ତୁଲ୍ୟ ଗଉରବ,

 

ପୂରି ରଖିଥାଉ ଘରେ ଧନପତି ଧନ,

ରଚିଥାଉ ଇନ୍ଦ୍ରପୁରୀ ସଦୃଶ ଭବନ,

 

ନିବାରଣ କରୁଥାଉ ଅବା ତାର କ୍ଷୁଧା,

ବିଶାଳ ଜଳଧି ଜାତ ଦେବଭୋଜ୍ୟ ସୁଧା,

 

ବଢ଼ୁଥାଉ ମନ୍ଦାକିନୀ ନୀରେ ତା’ର ସ୍ନାନ,

ଲଭିଥାଉ ମୁନିଜନ ପରି ମହାଜ୍ଞାନ,

 

ଅଣିମା, ଲଘିମା ହୋଇଥାଉ କରଗତ,

ଈଶ୍ୱର ସାକ୍ଷାତ ଲାଭେ ହେଉ ସମରଥ,

 

ସୁରପଥେ ସୁରପଥେ କରୁ ସେ ଭ୍ରମଣ,

ଦେବଦଳେ ଦେବସ୍ଥଳେ ଥାଉ ବା’ ଆସନ;

 

ତଥାପି ଏ ମତି ହେବ ନାହିଁ ଆକର୍ଷିତ

ଶତ ଆକିଞ୍ଚନେ ମଧ୍ୟ ତା’ ପ୍ରତି କିଞ୍ଚିତ ।

 

ସେ’କି ଛାର, ହେଲେ ଇନ୍ଦ୍ର ଚନ୍ଦ୍ର ବିରୋଚନ

କରି ନ ପାରିବେ ମୋର ଚରିତ୍ର-ପାତନ ।

 

ଦେଖ ତା’ର ଦୁଃସାହସ ସନ୍ତରି ସାଗର-

ପାର ହେବା ପାଇଁ ହୋଇଅଛି ଆଗଭର ।

 

ହସ୍ତ ଉତ୍ତୋଳନ କରି ଅବା ସେ ବାମନ,

ବିଜୁଳି ଧରିବା ପାଇଁ ବଳାଇଛି ମନ ।

 

ଶିଖରୀ ଶିଖରେ ପଛେ ଫୁଟିବ କମଳ,

ଜଳଧରୁ ବରଷିବ ପଛକେ ଅନଳ;

 

 

ହେଲେ ହେବ ପୁଷ୍ପବନ୍ତ ଶୂନ୍ୟ ବିହାୟସ,

କିମ୍ୱା ବନପ୍ରିୟ ବାଣୀ ହେବ କରକଶ;

 

ନ ବହିବ ସମୀରଣ ନ ଫଳିବ ଫଳ

ହୁତାଶନ ହୋଇଯିବ ଅଥବା ଶୀତଳ,

 

ଶୁଷ୍କ ହୋଇଯିବ ପଛେ ଜଳନିଧି ଜଳ

କ୍ଷରିବ ପଛକେ ଗାଭୀ-ସ୍ତନରୁ ଗରଳ,

 

ମନୁଷ୍ୟ ଉଦରୁ ପଛେ ଜନ୍ତୁ ଜାତ ହେବେ

ତଥାପି ମୁଁ ଯବନକୁ ନ ଭଜିବି କେବେ ।

 

ସ୍ୱାମୀ ଅନୁରୋଧେ, ପ୍ରଜା-ମଙ୍ଗଳସାଧନେ

ଦେଖାଦେଇଥିଲି ବାରେ ତାକୁ ଦରପଣେ;

 

ଏବେ ଯେତେ କଲେ ମଧ୍ୟ କପଟ ରଚନ

ହେବ ନାହିଁ ସିଦ୍ଧକାମ କେବେ ସେ ଯବନ ।

 

କିନ୍ତୁ ମୋର ଜୀବନର ଜୀବନ-ମୂରତି,

ଭବାର୍ଣ୍ଣବ କର୍ଣ୍ଣଧାର ଅଗତିର ଗତି,

 

ତୃଷାତୁର ନୟନର ଅମୃତ ଝରଣ

ହୃଦୟ ତପତି-ନାଶୀ ଶାନ୍ତି ନିକେତନ

 

ଯବନ ଶିବିରେ ପଡ଼ି ଅଛନ୍ତି ଯାବତ

ଭୀଷଣ କଷଣ ପ୍ରାଣ ଦହେ ଅବିରତ ।

 

କି ଉପାୟ ଆଚରିଲେ ଲଭିବେ ମୁକତି

ତହିଁପାଇଁ ଡାକିଅଛି ତୁମ୍ଭଙ୍କୁ ମୁଁ କତି ।’’

 

ବୋଇଲା ବାଦଲ, ‘‘ମାଗୋ, ଏ ଛାର ବିଷୟ-

ପାଇଁ କିପାଁ ହେଉଅଛୁ ଏତେ ତୁ ଅଥୟ ।

 

ଯାବତ ମୁଁ କରିଅଛି ଶରୀର ଧାରଣ,

ଯାବତ ହେଉଛି ଦେହେ ରକ୍ତ ସଞ୍ଚରଣ,

 

ଯାବତ ବହିବ ମୋର ନିଶ୍ୱାସ ପବନ,

ଯାବତ ନୟନେ ହେବ ପଲକ ପତନ,

 

ରହିଥିବ ଯେତେ ଦିନ ମନରେ ସ୍ମରଣ,

ଶ୍ରବଣ-ଶକତି ଘେନିଥିବ ଏ ଶ୍ରବଣ,

 

ତାବତ ତୋ’ କାର୍ଯ୍ୟ ହେବ ନାହିଁ ଅସାଧିତ

ଏଥିପାଇଁ ବୃଥା ଆଉ ନ ହୁଅ ଭାବିତ ।

 

ମାତୃହୀନ ମତେ କରି ଲାଳନପାଳନ

ଜନ୍ମକାଳୁ ରଖିଅଛୁ ବଞ୍ଚାଇ ଜୀବନ,

 

ଏବେ ନ ପାରିବି ଯଦି ଫେଡ଼ି ତୋ’ କଷଣ,

ଜୀବନଧାରଣ ମୋର ହେବ ଅକାରଣ ।

 

ଏ କି ଛାର କଥା ମା’ ଗୋ ଦେଲେ ତୁ ନିର୍ଦ୍ଦେଶ

କାଲି ଏ’ ସେବକ ପଶି ସମ୍ରାଟ୍‌ ନିବେଶ

 

ସୈନିକ ନିକର ତା’ର କରି ଛାରଖାର

ଛାରଖାର କରି ତା’ର ଆୟୁଧ ଆଗାର;

 

ଆଣିବି ଉଦ୍ଧାରି ତହିଁ ମଧ୍ୟୁ ଭୀମ ବୀର

ତା’ ସହ ଆଣିବି କାଟି ସମ୍ରାଟ୍‌ର ଶିର ।

 

ଦେଖିବୁ ତୋ’ ଦତ୍ତ ଅନ୍ନ କେଡ଼େ ତେଜୀୟାନ

ତୋ’ ପାଳିତ ଦେହେ କେତେ ବୀର୍ଯ୍ୟ ବିଦ୍ୟମାନ ।

 

ନ ହେଉଣୁ ରବି ଅସ୍ତ ନଗ-ବିଲମ୍ୱିତ,

ନ ହେଉଣୁ ତାରାଚୟ ଗଗନେ ଉଦିତ;

 

ନ ହେଉଣୁ ସରୋବରେ ସରୋଜ ମୁଦିତ

ନ ହେଉଣୁ ପକ୍ଷୀକୁଳ କୁଲାୟ ଆଶ୍ରିତ,

 

ନିଶ୍ଚୟ ଏ କାର୍ଯ୍ୟ ମୁହିଁ କରିବି ସାଧନ

ନ ହେଲେ ଅନଳେ ପଶି ତେଜିବି ଜୀବନ ।

 

ସତ୍ୟ ସତ୍ୟ ତିନିବାର ସତ୍ୟ ଏ ବଚନ

ଅନ୍ୟଥା ନ ହେବ ମୋର ବାକ୍ୟ କଦାଚନ ।

 

ବିଶେଷତଃ କାଲି ହେଉଛନ୍ତି ଅଗ୍ରସର

ଯବନ ସହିତ ରଣେ ଚିତୋର-ଈଶ୍ୱର ।

 

ମୁଁ ତାଙ୍କ ଅଗ୍ରଣୀ ରୂପେ ଯିବାକୁ ଉତ୍ସୁକ

ଦିଅ ମା’ ବିଦାୟ ମତେ ହୋଇ ହର୍ଷମୁଖ ।’’

 

ନୟନ ସଲିଳ ପୋଛି ପଦ୍ମିନୀ ବହନ,

ବାଦଳକୁ କୋଳେ ଧରି କଲେ ଆଲିଙ୍ଗନ ।

 

ବୋଇଲେ, ‘‘ବାବୁରେ କିପାଁ ହେଉ ତରତର

ସେ ଦିନ ଆସୁଛି ହୋଇ ତୋ’ ନିକଟତର ।

 

କର୍ମ ଯେବେ ସମୟର ହୁଏ ଅନୁସାରୀ

ଶ୍ରମ ହୁଏ ତେବେ ଯାଇ ଫଳ ଅଧିକାରୀ ।

 

ଯେଉଁ ବିହଙ୍ଗମ ଯେଉଁ ମାର୍ଗଣରେ ମରେ

ବୁଦ୍ଧିବାନ୍‌ ବନଚର ତା’ ପ୍ରୟୋଗ କରେ ।

 

ଯବନର ଅଭିଳାଷ ଯେପରି ଉତ୍କଟ,

ସେପରି ଉପାୟେ ତାକୁ କରିବା ବିନଷ୍ଟ ।

 

କାମନୀ ମୋହୋର ପତି-ମୁକତି ସାଧନ

କିନ୍ତୁ ସେ ଅକ୍ଷତ ଦେହେ ଫେରିବେ ଯେସନ ।

 

ଆଗେ ଯାଇ ତହିଁ ପାଇଁ ଦେଖାଇଲେ ବଳ,

ପାପିଷ୍ଠ ଘଟାଇ ପାରେ କାନ୍ତ ଅମଙ୍ଗଳ ।

 

ଆଶ୍ୱାସ ବଚନେ ତାକୁ କରି ବିମୋହିତ,

କଉଶଳେ କରିହେବ କର୍ମ ସମାହିତ ।

 

ଏ ବିଷୟେ ମନାସିଛିଁ ମନେ ଯା’ ମୋହର

କହୁଅଛିଁ ଅବହିତେ ତା’ ଶ୍ରବଣ କର ।’

 

ତହୁଁ କହିଗଲେ ସତୀ ଯାବତ ବିଷୟ

ସୁଚିନ୍ତିତ ଭାବେ ଆଦ୍ୟପ୍ରାନ୍ତ ସମୁଦୟ ।

 

ତା’ ଶୁଣି ବେନିଏ ହେଲେ ମନରେ ବିସ୍ମିତ,

ଅଲକ୍ଷେ ବଦନେ ତାଙ୍କ ଉଭା ହେଲା ସ୍ମିତ ।

 

ଆହ୍ଲାଦ ଅଧୀର ଗୋରା ଭାଷିଲେ ଉତ୍ତର,

‘‘ଧନ୍ୟ ତୁମେ ବୁଦ୍ଧିମତୀ ଚିନ୍ତାର ଆକର ।

 

ବିପଦ ସମୟେ ଯା’ର ବୁଦ୍ଧି ସମ୍ମୁଦିତ,

ସେପରି ମାନବ ଜାତ ହୁଅନ୍ତି କ୍ୱଚିତ ।

 

ନାରୀ ହୋଇ କରିଛ ଯେ’ ଉପାୟ ସୃଜନ,

ନ ପାରିବେ ଚିନ୍ତି ତାହା ଚିନ୍ତାଶୀଳ ଜନ ।

 

ହେବ ତୁମ୍ଭ ନାମ ଦେବି । ଜଗତେ ଘୋଷିତ,

ଯେ ଯାଏ ଭଜିବେ ନଭେ ଚନ୍ଦ୍ରମା ଆଦିତ୍ୟ ।

 

ଲକ୍ଷ୍ମଣଙ୍କ ଅଭିମତ ପ୍ରକାଶ୍ୟ ବିଗ୍ରହ,

ଗୋପନ ସାଧନଯୋଗ୍ୟ ତବ କାର୍ଯ୍ୟଚୟ ।

 

ଏବେ ଯାଇ ଲକ୍ଷ୍ମଣଙ୍କୁ କଲେ ନିବେଦନ,

କରିବେ ଅବଶ୍ୟ ତବ କାମନା ପୂରଣ ।’’

 

ପଦ୍ମିନୀ ବୋଇଲେ- ‘‘ଏହି ଭାର ସମୁଦାୟ

ତୁମ୍ଭ ହସ୍ତେ ନ୍ୟସ୍ତ ଜାଣି କର ତା’ ଉପାୟ ।’’

 

ପଦ୍ମିନୀ ନିକଟୁ ନେଇ ମେଲାଣି ସତ୍ୱର

ଲକ୍ଷ୍ମଣ ସମୀପ ଗଲେ ବେନି ବୀରବର ।

 

ବୁଝାଇ କହିଲେ ତାଙ୍କୁ ବିଷୟ ସକଳ,

କରିବୁଁ ଆଦେଶ ହେଲେ ଏ କାର୍ଯ୍ୟ ସଫଳ ।

 

ତାଙ୍କ କଥା ଶୁଣି ରାଣା ଦେଲେ ଅନୁମତି,

‘‘ଶୀଘ୍ର କାର୍ଯ୍ୟ କର, ହୋଇ ସାବଧାନ ଅତି,

 

ଯେମନ୍ତ ଗୁପତ କଥା ଲବ ପରିମିତ

ଯବନର କର୍ଣ୍ଣେ ହୋଇ ନ ପାରେ ପତିତ ।’’

 

ତହୁଁ ଯାଇ ବେନି ଜନ ବସି ଏକାସନେ

କାହାକୁ କି ଭାର ଦେବେ ଭାବିଲେ ତା’ ମନେ ।

 

ସେନାନୀ ନିକଟ ଦେଲେ ସମ୍ୱାଦ ଦୂରିତ

ପ୍ରଭାତର ଅଭିଯାନ ହେବାକୁ ରହିତ ।

 

ପରଦିନ ପ୍ରତ୍ୟୁଷରୁ ଉଠି ବେନି ଜନ

ସମ୍ରାଟ୍‌ ନିକଟ କଲେ ସମ୍ୱାଦ ପ୍ରେରଣ ।

 

ପତିଙ୍କ ମୁକତି ଅର୍ଥେ ଆତ୍ମ-ବିସର୍ଜନ

କରିବାକୁ ବଳିଅଛି ପଦ୍ମିନୀଙ୍କ ମନ ।

 

ରକ୍ଷାକରି ନିଜ ମାନ ମହତ୍ତ୍ୱ ସକଳ

ଏ କାର୍ଯ୍ୟରେ ଅଗ୍ରସର ହେବେ ସେ କେବଳ ।

 

କରିଛନ୍ତି ରାଜଗୃହେ ଜନମ ଗ୍ରହଣ,

ଏଣୁ ରାଜ-ପଦ୍ଧତିରେ କରିବେ ଗମନ,

 

ସଙ୍ଗେ ଥିବେ ତାଙ୍କ ଚିରସହଚରୀଗଣ,

ମର୍ଯ୍ୟାଦାନୁରୂପ କରି ଯାନ ଆରୋହଣ ।

 

ଆଉ ମଧ୍ୟ କେତେ ରାଜପୁତ କୁଳନାରୀ

ତାଙ୍କ ଅନୁଗାମୀ ତେବେ ନବରୁ ବାହାରି ।

 

କରିଛନ୍ତି ତାଙ୍କୁ ଯେଣୁ ସ୍ନେହରେ ବନ୍ଧନ

ଶିବିରୁ ବିଦାୟ ନେଇ ଫେରିବେ ବହନ ।

 

ରାଜପୁତ ରମଣୀଙ୍କ ସମ୍ମାନେ ଯେପରି

ନ ପାରନ୍ତି କେହି ହେଲେ ହସ୍ତକ୍ଷେପ କରି ।

 

ପଦ୍ମିନୀ ଶିବିରେ ହେବା ମାତ୍ରେ ଉପଗତ

ଭୀମ ସିଂହ କାରାମୁକ୍ତ ହୁଅନ୍ତି ଯେମନ୍ତ

 

ଏଥିରେ ସମ୍ରାଟ୍‌ ଯଦି ହୁଅନ୍ତି ସମ୍ମତ

ରୂପସୀ ପଦ୍ମିନୀ ହେବେ ତାଙ୍କ ଅନୁଗତ ।

 

ଦୁର୍ଗ ଅବରୋଧକାରୀ ସୈନିକ ନିକର

ଯେଉଁ ଦିନ ହୋଇ ଦୁର୍ଗ ସୀମାରୁ ଅନ୍ତର,

 

କିଛି ଦୂର ଦେଶେ ଯାଇ ଶିବିର ସ୍ଥାପନ

କରିବେ, ସେ ଦିନ ହେବ କାମନା ପୂରଣ ।

 

ଏ ବାର୍ତ୍ତା ଶ୍ରବଣେ ହୋଇ ଆନନ୍ଦବିହ୍ୱଳ,

ସେନାନୀକି ଡାକି ଆଲ୍ଲାଉଦ୍ଦିନ ଚଞ୍ଚଳ,

 

ଆଦେଶ ପାଳନ କଲା ଉଠାଇ ଛାଉଣୀ

କିଛି ଦୂରେ ସନ୍ନିବେଶ କରିବାକୁ ପୁଣି ।

 

ସମ୍ରାଟ୍‌ ଆଦେଶ ହେଲା ଅଚିରେ ପାଳିତ,

ଦୁର୍ଗସୀମା ସଙ୍ଗେ ସଙ୍ଗେ ହେଲା ଅବାରିତ ।

 

ନିଜ ବୁଦ୍ଧି ପ୍ରତି କରି ପ୍ରଶଂସା ବହୁତ

ତହୁଁ ଆଲ୍ଲା ମନେ ମନେ ହେଲା କୃତକୃତ୍ୟ ।

 

ବୋଇଲା, ‘‘ଏ ବୁଦ୍ଧିବଳେ ଦିଲ୍ଲୀର ସମ୍ରାଟ୍‌

ହେବାକୁ ମିଳିଲା ମୋତେ ସୁବିଶାଳ ବାଟ ।

 

ଏ’ତ ଛାର ରାଜପୁତ ଚିର ବୁଦ୍ଧିହୀନ

ମୋ କୌଶଳେ ପଡ଼ିଗଲା ଜାଲେ ଯଥା ମୀନ ।’’

 

ପତ୍ରଟିଏ ଲେଖି ଆଲ୍ଲା ପ୍ରଣୟ ଆବେଗେ

ପଦ୍ମିନୀଙ୍କି ନିବେଦିଲା ଆସିବାକୁ ବେଗେ ।

 

ପୁଣି ସେ ଲେଖିଲା, ସଖି ! ଏକା ତୋ’ ନିମନ୍ତେ

ହେଉଅଛି ପ୍ରେମାତୁର ମୁଁ ଅନବରତେ ।

 

ଯେଉଁ ଦିନୁ ନିରେଖିଲି ତୋ’ ଚାରୁ ମୂରତି

ନିଦ୍ରା ଆଉ ଆସୁନାହିଁ ମୋ ନୟନ କତି ।

 

ଅନୁକ୍ଷଣେ ସେ ପ୍ରତିମା ଚକ୍ଷୁ ସମକ୍ଷରେ

କ୍ରୀଡ଼ା କରି ଜୀବନକୁ ନଷ୍ଟଭ୍ରଷ୍ଟ କରେ ।

 

ଲୋକମୁଖେ ଶୁଣିଥିଲି ଯାହା ତୋ’ ବିଷୟ

ଲକ୍ଷ୍ୟ କଲି ଲକ୍ଷ ଗୁଣ ତହୁଁ ତା’ ନିଶ୍ଚୟ ।

 

ସହସ୍ର ରତନ କାନ୍ତି ତୋ’ ଦେହେ ପୂରିତ

ତୋ’ ଦର୍ଶନେ ଦୂର ହେବ କୋଟିଏ ଦୁରିତ ।

 

ଯା’ ମନ୍ଦିରେ ବିରାଜିବୁ ତୁହି ଲୋ ସୁନ୍ଦରି,

ଇନ୍ଦ୍ର ଚନ୍ଦ୍ର ତାର କେହି ହେବେ ନାହିଁ ସରି ।

 

ବୁଦ୍ଧି ଯୋଗୁଁ ଭାଗ୍ୟ ମୋତେ ସଦା ସୁପ୍ରସନ୍ନ,

ତେଣୁ ମୋର ଅଙ୍କଲକ୍ଷ୍ମୀ ହେବାକୁ ତୋ’ ମନ ।

 

ଜୀବନତୋଷିଣି ! କରି ଶୀଘ୍ର ଆଗମନ,

ଜୀବନରେ ଜୀବନକୁ କର ସଞ୍ଚରଣ ।

 

ଆଦେଶ ତୋହୋର ଯାହା ହେବ ସୁପାଳିତ ।

ତହିଁପାଇଁ ହୁଅ ନାହିଁ କିଞ୍ଚିତ ଭାବିତ ।

 

ତୋର ଆଗମନ ମାତ୍ରେ ଭୀମଙ୍କୁ ସତ୍ୱର

ଛାଡ଼ିଦେବି ବନ୍ଧୁଭାବେ କରି ସମାଦର ।

 

ବହୁ ଧନ-ରତ୍ନ-ଦାନେ ତାଙ୍କୁ କରି ସୁଖୀ,

ତା’ ପରେ ତୋ’ ସହ ହେବି ଦିଲ୍ଲୀ ଅଭିମୁଖୀ ।

 

ନବମ ସର୍ଗ

ବିପୁଳ ଉତ୍ସାହେ ଆଜି ଚିତୋର ନଗର

ଭାସଇ ସାଗରେ ଯଥା ତରଙ୍ଗନିକର ।

 

ବୀରବେଶେ ହେଉଛନ୍ତି ସୈନିକେ ସଜ୍ଜିତ

ବୀରତ୍ୱ ଛଟାରେ ତାଙ୍କ ବଦନ ପ୍ରଦୀପ୍ତ ।

 

ସୁଦୃଢ଼ କବଚେ ଗାତ୍ର ହେଉଛି ଆବୃତ,

ବିବିଧ ପ୍ରକାର ହାର ବକ୍ଷରେ ବିଧୃତ ।

 

ସୁଶାଣିତ କରବାଳ ହସ୍ତେ ବିରାଜିତ,

ସୁଚାରୁ ଶିରସ୍ତ୍ରମାଳ ମସ୍ତକେ ମଣ୍ଡିତ ।

 

ଢାଲ, ଭିଦିପାଳ, ଶେଲ, ପରିଘ, କୁଠାର,

ଯତ୍ନ ସହ ବାନ୍ଦି ରଖୁଛନ୍ତି ଯେ ଯାହାର ।

 

ରଙ୍ଗିଆ ଜଘିଂଆ କଟିତଟେ ପହରଣ

ତା’ ଉପରେ ସାରସନ ହରଇ ନୟନ ।

 

ସୁତଳ କଙ୍କଣ କରେ, ଭୁଜେ ଭୁଜବନ୍ଧ

ଚାହିଁଲା ମାତ୍ରକେ ହୃଦେ ଉପୁଜେ ଆନନ୍ଦ ।

 

ପ୍ରତି ଗାଳେ ଗାଲ ମୁଚ୍ଛ ଦିଶେ ଶୋଭମାନ

ଲଲାଟେ ସିନ୍ଦୂର-ଚିତା ମୁଖେ ଖିଲିପାନ ।

 

ଏହି ରୂପେ ବୀରଗଣ ସାଜି ନାନା ମତେ

ବାଦଲ ଗୋରାଙ୍କୁ ଟାକି ରହିଲେ ସମସ୍ତେ ।

 

କିଛିକ୍ଷଣ ପରେ ତହିଁ ଆସୁଛନ୍ତି ବେନି,

ଦିବ୍ୟ ବେଶେ ପିନ୍ଧି ଦିବ୍ୟ ଅସ୍ତ୍ରଶସ୍ତ୍ର ଘେନି ।

 

ମହାନନ୍ଦେ ପ୍ରଫୁଲ୍ଲିତ ବେନିଙ୍କର ମନ,

ଆଗେ ଗୋରା, ପଛେ କରେ ବାଦଲ ଗମନ ।

 

ଶିବିକା ଆସଇ ତାଙ୍କ ପଛେ ଅଗଣିତ,

ବିଚିତ୍ର ବରଣ ଆବରଣ ବିମଣ୍ଡିତ ।

 

ତହିଁ ମଧ୍ୟେ ପଶିଗଲେ ଜଣେ ଜଣେ ବୀର

ମେଘ ଅନ୍ତରାଳେ ଯେହ୍ନେ ଲୁଚଇ ମିହିର ।

 

ଅବଶିଷ୍ଟ ବୀର ହୋଇ ପ୍ରଚ୍ଛଦ-ପିହିତ

ଆୟୁଧ ସକଳ କଲେ ତା’ ମଧ୍ୟେ ନିହିତ ।

 

ତହୁଁ ଗୋଟି ଗୋଟି କଲେ ଶିବିକା ବହନ

ଯବନ ଭବନ ଦିଗେ ଚାଲିଲେ ବହନ ।

 

ଛଦ୍ମିନୀ ପଦ୍ମିନୀ ହେଲେ ଏ ରୂପେ ବାହାର

ଅନୁଯାତ୍ରୀ ତାଙ୍କ ଅନୁରୂପ ସଖୀ ବାର

 

ଚିତ୍ରସେନ ଗନ୍ଧର୍ବର ବିଚିତ୍ର ଉଦ୍ୟାନେ

ବିହାରାର୍ଥ ଯା’ନ୍ତି କି’ଏ କୁରୁ ନାରୀମାନେ ?

 

ଦୂରକୁ ସୁନ୍ଦର ଦିଶେ ସରୋବର-ନୀର

କେ’ ଜାଣିପାରିବ ଥିଲେ ତା’ ମଧ୍ୟେ କୁମ୍ଭୀର ।

 

ଶୁଦ୍ଧ ବୋଧ ହୋଇଥାଏ ଯସନ ପବନ

ଭିତରେ ତା’ ବିଷକୀଟ ଥା’ନ୍ତି ଅଗଣନ ।

 

ଶିବିର ସମ୍ମୁଖେ ବସି ଦିଲ୍ଲୀ ନରନାଥ,

ଚିତୋର ନଗର ପ୍ରତି କଲା ଦୃଷ୍ଟିପାତ ।

 

ଏ କାଳେ ଶିବିକାଶ୍ରେଣୀ ତହୁଁ ବିନିର୍ଗତ-

ହୋଇ ସୁଧାସିକ୍ତ କଲେ ତା’ ନୟନପଥ ।

 

ମହାନନ୍ଦେ ଉଭା ହୋଇ ରହିଲା ଅନାଇ

ପଦ୍ମିନୀ-ଶିବିକା କାହିଁ ଚିହ୍ନିବାର ପାଇଁ ।

 

ଆହୁରି ସେ ମନେ ହେଲା ପୁଲକିତ,

ଏତେ ଦିନେ ହେଲା ବୋଲି ଆୟାସ ଫଳିତ ।

 

ଭାବିଲା କି ଦ୍ରବ୍ୟ ଦେଲେ ଭାବୀ ଭାବିନୀ’ କି

ମୋ ପ୍ରତି ଆସକ୍ତ ହେବ ତା’ ମତି ଏଣିକି ।

 

ଭୀମକୁ ପାସୋରି ମତେ ପରିବର୍ତ୍ତେ ତାର-

କରି ରଖିଥିବ ସଦା ହୃଦୟର ହାର ।

 

କରୁଥିବ ପ୍ରେମାବେଶେ ଆଦେଶ ପ୍ରଦାନ

ପ୍ରେମଦଣ୍ଡ ଦେବ କଲେ ତା’ କଥା ଅମାନ୍ୟ ।

 

ବାନ୍ଧବୀ ପ୍ରେମର ଡୋରେ ଥିବ ମୋତେ ବାନ୍ଧି,

ଅବାଧ୍ୟ ମୁଁ ହେଲେ ବାଧ୍ୟ କରୁଥିବ କାନ୍ଦି ।

 

ପ୍ରେମର ବିପଣି ଖୋଲି ବସିଥିବ ସଖୀ,

ପ୍ରେମ କିଣା ଦେବ ମୋଠୁଁ ଧନ ଦ୍ରବ୍ୟ ରଖି ।

 

ପୁଣି ମୋ ପ୍ରେମରେ ଧନୀ ହୋଇ ବଶୀଭୂତ,

କରିବ ସେ ସବୁ ଦ୍ରବ୍ୟ ମୋତେ ପୁରସ୍କୃତ ।

 

ଚକ୍ଷୁରନ୍ତରାଳ ହେଲେ ମରୁଥିବ ଝୁରି,

ଦେଖିଲା ମାତ୍ରେ ଉଦର ଦେଉଥିବ ପୂରି ।

 

ପ୍ରେମ ଗୀତ ଗାଉଥିବ ପାଖରେ ବସାଇ

କିଣି ନେଉଥିବ ମୋତେ ହସାଇ ରସାଇ ।

 

ଏହି ରୂପେ ନାନା କଥା ଭାବିଲ ତା’ ମନ,

କଳ୍ପିତ ଆମୋଦ-ହ୍ରଦେ କଲେ ସନ୍ତରଣ ।

 

ପ୍ରକଶଃ ଶିବିକାଶ୍ରେଣୀ ହେଲା ସମୀପସ୍ଥ

ତା’ ଦେଖି ସମ୍ରାଟ୍‌ ହେଲା ଅତି ବ୍ୟତିବ୍ୟସ୍ତ ।

 

ନିକଟରେ ଥିଲା ଏକ ପ୍ରକାଣ୍ଡ ଶିବିର,

ଶିବିକା ରହିବା ଲାଗି ତାହା କଲା ସ୍ଥର ।

 

ସତ୍ୱର ଆଦିଷ୍ଟ ହେଲେ ଭୃତ୍ୟ ପରିଜନେ

ଯାଇ ନ ପାରିବେ ବୋଲି ତହିଁ କେହି ଜଣେ ।

 

ସେ ବାରଣ ଶୁଣି ଭୀମ ମୁର୍ମୁର ସମାନ

ଭିତରେ ଭିତରେ ରୋଷେ ହେଲେ ଦହ୍ୟମାନ ।

 

ମନେ କଲେ ମୁକ୍ତି ମାତ୍ୟେ ପଦ୍ମିନୀ ନିକଟ

ଯାଇ ତାକୁ ଅସିଚୋଟେ କରିବି ବିନଷ୍ଟ ।

 

‘ରୂପବତୀ ନାରୀ ଶତ୍ରୁ’ ଯେ ଅଛନ୍ତି କହି

ତାଙ୍କ ବାକ୍ୟମୂଳେ ଚିର ସତ୍ୟ ଅଛି ରହି ।

 

ପାପୀୟସୀ କରି ପତି-ମୁକ୍ତିର ଛଳନା,

ଆସିଛି ହେବାକୁ ଏବେ ଯବନ-ଲଳନା ।

 

ରମଣୀଏ ପୁରୁଷଙ୍କୁ ଠକି ଏହିପରି

ସୁଯୋଗ ପାଇଲେ ଇଚ୍ଛା ଥା’ନ୍ତି ପୂର୍ଣ୍ଣ କରି ।

 

ଅନ୍ୟ କ୍ଷଣେ ପୁଣି ମନେ ହେଲା ତାହାଙ୍କର

ପଦ୍ମିନୀର ପାତିବ୍ରତ୍ୟ ନୁହେଁ ଦିନକର ।

 

ଏତେ ଦୀର୍ଘକାଳୁ ଅଛି ଯେ’ ଧର୍ମ ଆଚରି

ଏତେ ଶୀଘ୍ର ତାକୁ ଦେବ ପାସୋରି କିପରି ?

 

ନିଶ୍ଚୟ ରହସ୍ୟ ଅଛି ଏଥି ବିଜଡ଼ିତ

ଭାବି ଭାବି ଚିତ୍ତ ହେଲା ଘୋର ଆନ୍ଦୋଳିତ ।

 

ଏହିରୂପେ ଭୀମ ସିଂହ ବସି ନିକାଞ୍ଚନେ,

ଭାବୁଛନ୍ତି ପଦ୍ମିନୀଙ୍କ କଥା ମନେ ମନେ ।

 

ଏ’ କାଳେ ପ୍ରହରୀ ଏକ ହୋଇ ଉପଗତ

ଜଣାଇଲା ସବିନୟେ ଯୋଡ଼ି ବେନି ହସ୍ତ ।

 

ସମ୍ରାଟ୍‌ ଆଦେଶମତେ ହେ ଚିତୋର-ନାଥ,

କରନ୍ତୁ ପଦ୍ମିନୀ ସଙ୍ଗେ ଚରମ ସାକ୍ଷାତ ।

 

ନିକଟେ ଦିଶଇ ଏ’ ଯେ, ଶିବିର ସୁନ୍ଦର,

ତହିଁ ମଧ୍ୟେ ବିଜେ କରିଛନ୍ତି ନାରିବର ।

 

ଘଟିକାର୍ଦ୍ଧ ମାତ୍ର ତହିଁ କରି ଅବସ୍ଥାନ

ବାହୁଡ଼ିବେ ବେଗେ ଦିଲ୍ଲୀ-ପତି ସନ୍ନିଧାନ ।

 

ବହୁ ଧନରତ୍ନ ହୋଇଅଛି ଏକତ୍ରିତ,

ଶ୍ରୀଛାମୁଙ୍କ କରେ ହେବାପାଇଁ ସମର୍ପିତ ।

 

ରାଣା ମନକଥା କରି ମନରେ ଗୋପନ

ଶିବିରାଭିମୁଖେ କଲେ ସତ୍ୱର ଗମନ ।

 

ଭିତରକୁ ଯାଇ ଯାହା କଲେ ଦରଶନ

ତହିଁରେ ସନ୍ଦେହ ସବୁ ହେଲା ନିରସନ ।

 

ଗୋରା ଭକ୍ତିଭରେ ଧରି ଭୀମଙ୍କ ଶ୍ରୀକର

ବସାଇଲେ ନେଇ ଏକ ଶିବିକା ଭିତର ।

 

ଧରି ତାହା ବେଗଗାମୀ ଶିବିକାବାହକେ

ବୋହିନେଲେ ବହୁଦୂର ନିମିଷ ମାତ୍ରକେ ।

 

କ୍ରମେ ପ୍ରବାହିତ ହେଲା ପଛେ ପଛେ ତା’ର

ଶିବିର ଭିତରୁ ଦ୍ରୁତ ସ୍ରୋତ ଶିବିକାର ।

 

କିଛି ଦୂରେ ଅବସର ବୁଝି ଭୀମ ବୀର

ଅଶ୍ୱଯାନେ ଚଢ଼ି ଗଲେ ଆପଣା ମନ୍ଦିର ।

 

ପଦ୍ମିନୀ ସହିତ ଭୀମ ଦୀର୍ଘ ଆଳାପନ

କରୁଅଛି ଭାବି, କ୍ଷୁବ୍‌ଧ ହେଲା ଆଲ୍ଲା ମନ ।

 

ବୋଇଲା, ‘‘ଯେ ହୋଇ ପତି-ମୁକ୍ତି-ଭିଖାରିଣୀ

ଏବେ ହୋଇଅଛି ମୋର ପ୍ରେମାଧିକାରିଣୀ,

 

ତା’ ସହିତ ଭୀମ ଏତେ ବେଳ ସମ୍ଭାଷଣ

କରୁଅଛି ଦେଖ ତା’ର ମନ୍ଦ ଆଚରଣ ।

 

ସହଜେ ନ ଦେଇ ନାରୀ ହେଲା ଏତେସରି

ତଥାପି ରହୁଛି ଜାଣି ନ ଜାଣିଲା ପରି ।

 

ଯାଇ କେହି ଡାକିଆଣ ଭୀମକୁ ଏ ଥର

ଚଞ୍ଚଳ ଏଠାରୁ ତାକୁ କରିବା ଅନ୍ତର ।’’

 

ସମ୍ରାଟ ଆଦେଶେ ଯାଇ ବେଗେ ଭୃତ୍ୟଗଣ,

ଭୀମଙ୍କୁ ଡାକିଲେ ତମ୍ଭୁପାଖେ ଘନଘନ ।

 

ନ ଶୁଣିଲେ ଭୀମ ସିଂହ ନ ଶୁଣିଲେ କେହି

ରୋଷେ ଗଳେ ଭିତରକୁ ରୁଦ୍ଧଦ୍ୱାର ଫେଇ ।

 

ନାହିଁ ତହିଁ ଭୀମ ସିଂହ କିମ୍ୱା ତା’ ସଦ୍ମିନୀ

ପଦ୍ମମୁଖୀ ପଦ୍ମାଳୟା-ରୂପିଣୀ ପଦ୍ମିନୀ ।

 

କିନ୍ତୁ ପୂରି ରହିଛନ୍ତି ବୀର ଅଗଣିତ,

ଯୋଦ୍ଧୃବେଶେ ହୋଇଛନ୍ତି ସକଳେ ସଜ୍ଜିତ ।

 

ପଳାଇଲେ ସର୍ବେ କରି ସଭୟ ଚିତ୍କାର,

ଆଲ୍ଲାପାଖେ ନିବେଦିଲେ ତାହା ସବିସ୍ତାର ।

 

ସୈନିକଗଣଙ୍କୁ ତହୁଁ ବେଗେ ଦିଲ୍ଲୀପତି

ତାଙ୍କ ସହ ଯୁଝିବାକୁ ଦେଲା ଅନୁମତି ।

 

ପଳାୟିତ ଭୀମେ ପୁଣି ଧରିବାର ପାଇଁ

କେତେ ଅଶ୍ୱାରୋହୀ ଗଲେ ଅଶ୍ୱ ଦଉଡ଼ାଇ ।

 

ସେମାନଙ୍କ ପଥ ଛେକି ରାଜପୁତଗଣ

ଭୟାବହ ଆହବରେ ମାତିଲେ ବହନ ।

 

ସେ ଦିଗେ ତୁମୁଳ ଯୁଦ୍ଧ ହେଲା ଅଭିନୀତ

ଯବନ ଶିବିର ପାଖେ ବର୍ଣ୍ଣନା ଅତୀତ ।

 

ବୁଭୁକ୍ଷୁ କେଶରୀ ଯଥା ପାଇଲେ ଶିକାର,

ଧରି ତାକୁ ସେହିକ୍ଷଣି କରଇ ସଂହାର ।

 

ସେହି ରୂପେ ରାଜପୁତେ ହୋଇ ଉନମତ୍ତ,

ଯବନଗଣଙ୍କୁ କଲେ କ୍ଷଣକେ ନିହତ ।

 

ସେହିକ୍ଷଣି ଆସି ପୁଣି ଅନ୍ୟ ସେନା ଦଳ

ଅଧିକାର କଲେ ମୃତ ପୃତନାର ସ୍ଥଳ ।

 

ଲାଗିଲା ଉଭୟ ବଳେ ଭୀଷଣ ଆହବ,

ଧୂଳିଜାଲେ ପରିପୂର୍ଣ୍ଣ ହୋଇଗଲା ନଭ ।

 

କୃପାଣ, ପରିଘ, ଶେଳ ଆଦି ଅସ୍ତ୍ର ଧରି

ମାରୁଛନ୍ତି ଯେ ଯାହାକୁ ପାରେ ଲକ୍ଷ୍ୟ କରି ।

 

ଝଡ଼ିପଡ଼େ କେତେ ମୁଣ୍ଡ ତେଜି ଗ୍ରୀବାସ୍ଥଳ

ପ୍ରବଳ ପବନେ ଯଥା ବୃକ୍ଷୁ ପଡ଼େ ଫଳ ।

 

କାହାର ଗୋଟିଏ ହସ୍ତ ହୋଇଅଛି ନାଶ

ଅନ୍ୟ ହସ୍ତେ କରୁଅଛି ବୀରତ୍ୱ ପ୍ରକାଶ ।

 

ଜାନୁ-ଚ୍ଛେଦ ହୋଇଅଛି ଅଥବା କାହାର

କାହା ଶିରୁ ଝରୁଅଛି ରକତର ଧାର ।

 

ପ୍ରାଣଭୟେ କେତେ କରୁଁ କରୁଁ ପଳାୟନ

ପଛ ପଟୁ ହାଣ ଖାଇ ତେଜନ୍ତି ଜୀବନ ।

 

ଅସଂଖ୍ୟ ଯାବନୀ ସେନା ବେଢି ଚଉପାଶ

ବହୁ ପରିମାଣ କଲେ ଚିତୋରୀ ବିନାଶ ।

 

ଯେ’ ଦିଗେ ନୟନ ପଡ଼େ ଦିଶଇ କେବଳ

ବିପୁଳ ଯବନ ବଳ ଯେହ୍ନେ ସିନ୍ଧୁଜଳ ।

 

ଚିତୋରୀଙ୍କୁ ନ ମିଳଇ ପଳାୟନ ପଥ

ଅରି-କରେ ତହିଁ କେତେ ଲଭିଲେ ପଞ୍ଚତ୍ୱ ।

 

ଦୂରେ ଥାଇ ଦେଖି ଏହି ଦୃଶ୍ୟ ମର୍ମଦାହୀ

ପଲକ ପତନ ମାତ୍ର ତହିଁ ଗଲା ଧାଇଁ ।

 

ମହା ପରାକ୍ରମୀ ଗୋରା ଦେଖାଇ ବିକ୍ରମ,

ବୁଲାଇ ପ୍ରଚଣ୍ଡ ବେଗେ ଆସି ଅନୁପମ ।

 

ନନ୍ଦବନଚାରି-ମତ୍ତ-ମତଙ୍ଗଜ ପରି

ଯବନ ସେନାକୁ ଦେଲା ବିମର୍ଦ୍ଦନ କରି ।

 

ପଛେ ପଛେ ଥାଇ ତାର ବାଦଲ ପ୍ରବୀର

ଦେହ ଭିନ୍ନ କରୁଥାଏ କାଟି ଅରି ଶିର ।

 

ସମବୀର୍ଯ୍ୟ ସମତେଜ ବେନି ବୀରବର

ନ ପାରି ଅରିଏ ତିଷ୍ଠି ସମକ୍ଷେ ତାଙ୍କର

 

ପଳାଇଲେ ଅବଲମ୍ୱି ଯେ ଯାହା ଅୟନ

ଯେ ରହିଲେ କଲେ ରଣ-ଭୂମିରେ ଶୟନ ।

 

କିଛି କ୍ଷଣେ ପୁଣି ବେଗ-ଗାମିନୀ ବାହିନୀ-

ରୂପେ ଆସି ଅନ୍ୟ ଏକ ଯବନବାହିନୀ

 

ରଚିଲେ ଭୀଷଣ ରଣ ସଙ୍ଗେ ବେନିଙ୍କର

ଯୁଝିଲେ ବେନିଏ ତିଳେ ନ ହୋଇ କାତର ।

 

ବର୍ଷାରମ୍ଭେ ଯେଉଁପରି କର ଘଡ଼ଘଡ଼ି

ଜଳଧାରେ ଦେଇଥାନ୍ତି ଭୟଙ୍କର ରଡ଼ି ।

 

ଚଉଦିଗେ ହେଉଥାଏ ଚପଳା ସ୍ଫୁରଣ

ଅନର୍ଗଳ ଧାରେ ହୁଏ ବାରି ବରଷଣ ।

 

ତଦ୍ରୁପ ସେ-ବୀରେ କରି ଭୀଷଣ ଗର୍ଜନ

ସୁଶାଣିତ ଅସି କରି ପ୍ରଚଣ୍ଡ ଘୂର୍ଣ୍ଣନ ।

 

ବିକୀରିଲେ ତେଜୋରାଶି ତାର ଚକ୍ରାକାର

ବୁହାଇ ଅରାତି ଅଙ୍ଗୁ ଖର ରକ୍ତଧାର ।

 

ରାଜପୁତ ପ୍ରହରଣ ହେବାରୁ ଅସହ୍ୟ

ଅଗ୍ନି ଯନ୍ତ୍ରେ ଆରମ୍ଭିଲେ ଯବନେ ବିଗ୍ରହ ।

 

ବରଷି ପ୍ରଚଣ୍ଡ ଗୋଳାରାଶି ଅପ୍ରମିତ

କେତେ ଚିତୋରୀଙ୍କୁ କଲେ ଜୀବନୁ ବଞ୍ଚିତ ।

 

ଚିତୋରୀଏ କରି ଶତ ଶତଘ୍ନୀ ପ୍ରହାର

ଯବନଙ୍କୁ କଲେ ଯୁଦ୍ଧଭୂମିରୁ ବାହାର ।

 

ଅବସର ପାଇ ଗୋରା ଦୂର କଲେ ଶ୍ରମ

ପୋଛିପକାଇଲେ ମୁଖୁ ଶ୍ରମଜ ଘରମ ।

 

ଗୋଳାଟିଏ ଅଲକ୍ଷିତେ ଆସି ଏହି କାଳେ

ସବେଗେ ପଡ଼ିଲା ଗୋରା ଉନ୍ନତ କପାଳେ ।

 

ସେ ଭୀଷଣାଘାତେ ବୀର ସହଜେ ଆସକ୍ତ-

ହୋଇ ଭୂମିତଳେ ପଡ଼ି ହେଲେ ମୂର୍ଚ୍ଛାଗତ ।

 

ନିକଟସ୍ଥ ବାଦଲର ପ୍ରାଣାନ୍ତ ଯତନ-

ଫଳେ କିଛି କାଳେ ହେଲା ଜ୍ଞାନ ସଞ୍ଚରଣ ।

 

କିନ୍ତୁ ବୀର ନ ପାରିଲେ କହି ଆଉ କଥା

ମର୍ମେ ମର୍ମେ ବିଦାରଣ କରିବାକୁ ବ୍ୟଥା ।

 

ପରିଶେଷେ ବାହୁଯୁଗ କରି ପ୍ରସାରଣ,

ବାଦଲକୁ ବକ୍ଷେ ଧରି କଲେ ଆଲିଙ୍ଗନ ।

 

ବାଦଲ ଭିଡ଼ିଲା କ୍ଷୁଦ୍ର ହସ୍ତେ ଗୋରା ବକ୍ଷ,

ଉଭୟେ ରହିଲେ ହୋଇ ଉଭୟ ସମକ୍ଷ ।

 

କପାଳେ ନିବେଶି କର ସଜଳ ନୟନେ

ଅନାଇ ରହିଲା ବୀର ବାଦଲ ବଦନେ ।

 

ତହୁଁ ତାର ଶିରେ ବେନି କର ସଂସ୍ଥାପନେ

ଆଶୀର୍ବାଦ ଜଣାଇଲା ନୀରବ ଭାଷଣେ ।

 

ଗଣ୍ଡେ ପୁଣି କରୁଁ କରୁଁ ଶେଷ ଚୁମ୍ୱଦାନ

ଚିଦାନନ୍ଦ ଧାମେ କଲା ଆନନ୍ଦେ ପ୍ରୟାଣ ।

 

ଚିତୋରୀଏ ଏହା ଦେଖି କଲେ ହାହାକାର,

ବହିଲା ପ୍ରବଳ ବେଗେ ଶ୍ୱାସ ନାସିକାର ।

 

ଅବସନ୍ନ ହୋଇଗଲା ତାଙ୍କ ମନ-ପ୍ରାଣ

ହାତରୁ ପଡ଼ିଲା ଖସି ରକ୍ତାକ୍ତ କୃପାଣ ।

 

ଘନ ଘନ କରି ନେତ୍ର-ନୀର ବିସର୍ଜନ,

ସକାତରେ କଲେ ମୃତ ଆତ୍ମାର ତର୍ପଣ ।

 

ଅସ୍ତାଚଳେ ଅସ୍ତ ହେଲେ ଦେବ ବିକର୍ତ୍ତନ

କ୍ରମେ ତମଃ ପୁଞ୍ଜେ ହେଲା ଅବନୀ ଆଚ୍ଛାନ୍ନ ।

 

ଅନ୍ଧକାର କଲା ନିଜ ମହିମା ପ୍ରଚାର

ସପକ୍ଷ ବିପକ୍ଷ ସର୍ବେ କରି ଏକାକାର ।

 

ବିଷମ ବ୍ୟାପାର ହେଲା ଅସ୍ତ୍ର ସଞ୍ଚାଳନ

ଅରି ମାରୁ ମାରୁ ମଲେ ଆତ୍ମପକ୍ଷଜନ ।

 

ଶତ୍ରୁ ମିତ୍ର ଭେଦ ବାରି ନ ହେଲା କିଞ୍ଚିତ

ଆର୍ତ୍ତନାଦୁ ଜଣାଯାଏ କେ’ ଅରି କେ’ ମିତ୍ର ।

 

ଏହିପରି କିଛି କ୍ଷଣ ଯୁଦ୍ଧେ ହୋଇ ରତ

ଯାହାକୁ ଯେ’ ପାରେ କଲେ ଚକ୍ଷୁ ବୁଜି ହତ ।

 

ଅତିଶୟ ରଣକ୍ଳାନ୍ତ ହୋଇ ବୀରଗଣ

କ୍ରମେ ଯାଇ ଆଶ୍ରାକଲେ ଯେ’ ଯାହା ଭବନ ।

 

ହତ ଅବଶିଷ୍ଟ ସେନା ଥିଲେ ଯେ ସକଳ,

ତାଙ୍କ ସହ ଗୃହାଗତ ବିଜୟୀ ବାଦଲ ।

 

ସଜଳ ନୟନେ ଶୋକ ଗଦ୍‌ଗଦ ବଚନେ

ଜଣାଇଲା ଯୁଦ୍ଧବାର୍ତ୍ତା ଭୀମଙ୍କ ଚରଣେ ।

 

ବୋଇଲା, ‘‘ଭୋ ଦେବ !

ମାରି ଅସଂଖ୍ୟ ସୈନିକ,

ଦେଖାଇ ବିକ୍ରମ ଗୋରା ଅତିମାନୁଷିକ,

 

ଜୟଶ୍ରୀ-ମଣ୍ଡିତ ହୋଇ ଲଲାଟପଟଳେ,

ଦିବାକରେ ବିଲମ୍ୱିତ ଦେଖି ଅସ୍ତାଚଳେ

 

ଫେରିବା ଉଦ୍ଦେଶ୍ୟେ ପୋଛୁଥିଲେ ମୁଖ-ସ୍ୱେଦ

ଏ’ ସମୟେ ଗୋଳାଟିଏ ଭାଲେ କଲା ଭେଦ ।

 

ସେହି ଗୋଳାଘାତେ ଗୋରା ହୋଇ ଅଚେତନ

ଶେଷେ ହରାଇଲେ ତାଙ୍କ ଅମୂଲ୍ୟ ଜୀବନ ।’’

 

ବାଦଲ ବଚନେ ରାଣା ହୋଇ ଶୋକାଚ୍ଛନ୍ନ,

ବୋଇଲେ, ‘‘ମୋ ପାଇଁ ଗୋରା ତେଜିଲେ ଜୀବନ ।

 

ପର ଉପକାରେ ବୀର କଲେ ଆତ୍ମଦାନ

ତାଙ୍କ ପକ୍ଷେ ଏହା ଏକ ଅମର-ସମ୍ମାନ ।

 

ଧନ୍ୟ ସେ ଯା’ ଗର୍ଭେ ବୀର ହୋଇଛି ପ୍ରଭବ

ଧନ୍ୟ ଏ ବିତୋର ଲଭି ତା’ ତୁଲ୍ୟ ମାନବ ।

 

ତହୁଁ ଭୀମଠାରୁ ନେଇ ମେଲାଣି ଚଞ୍ଚଳ

ଗୋରା-ପତ୍ନୀ ପାଖେ ଉଭା ବାଳକ ବାଦଲ ।

 

ତା’ ଦର୍ଶନେ ନାରୀ ହୋଇ ଆନନ୍ଦ ମଗନ

ସ୍ନେହେ କୋଳେ ଧରି କଲା କପୋଳ ଚୁମ୍ୱନ ।

 

ବୋଇଲା, ‘‘ବାବୁରେ ଦେଖି ତୋ’ ଚନ୍ଦ୍ରବଦନ

ଅପାର ଆନନ୍ଦ କରେ ମୋ ନେତ୍ରେ ନର୍ତ୍ତନ ।

 

ଭାଳୁଥିଲି ବସି ବାବୁ ତୋ’ ପାଇଁ ବିଜନେ,

ଦେଖାଦେଲୁ ଏବେ ମୋତେ ଆସି ଶୁଭକ୍ଷଣେ ।

 

ଜୀବର ଜୀବନ ତୁ’ ମୋ ଆନନ୍ଦର ଖଣି

ହୃଦୟର ଅଳଙ୍କାର ନୟନର ମଣି ।

 

ନିଃଶ୍ୱାସ ପ୍ରଶ୍ୱାସ ବାବୁ ତୁ’ ମୋ ନାସିକାର

ଶ୍ରବଣେ ଶ୍ରବଣ ଶକ୍ତି ଦେହେ ରକ୍ତଧାର ।

 

ରସନାର ସରସତା ମାନସ ଆସକ୍ତି

ଚରମର ସ୍ପର୍ଶ ତୁ’ ମୋ କାର୍ଯ୍ୟର ପ୍ରଶସ୍ତି ।

 

ହୃତପିଣ୍ଡେ ତୁହି ମୋର ସଜୀବ ସ୍ପନ୍ଦନ

ତାପିତ ପରାଣେ ପୁଣି ଶୀତଳ ଚନ୍ଦନ ।

 

କେତେ ଦୂରେ ରହିଛନ୍ତି ବାବୁରେ ତୋ’ ତାତ

ତାଙ୍କୁ ଛାଡ଼ି କିପାଁ ତୁହି ଆସିଲୁ ଏକାନ୍ତ ?

 

ଯେତେବେଳେ ହେଲେ କହୁ ହସି ହସି କଥା

ଆଜ ମନେ ଉପୁଜିଲା କି ଦାରୁଣ ବ୍ୟଥା ?

 

ପରିମ୍ଳାନ ଦିଶେ ମୁଖ ଅମଳ-କମଳ

ଢଳଢଳ କିପାଁ ବାବୁ ନେତ୍ରେ ନେତ୍ରଜଳ ।

 

ଜୀବନେ ଜନମେ ମୋର ଅତି ଉଦବେଗ-

ଶୁଣିବାକୁ ତୋ’ ବଚନ କହ ବାବୁ ବେଗ ।

 

ହୋଇଅଛି କିରେ କିଛି ଅଶୁଭ ଘଟନ,

କହ କହ ବହନ ତୁ ଆରେ ପ୍ରାଣଧନ ।’’

 

ଶୋକେ ଦୁଃଖେ କ୍ଷୋଭେ ହୋଇ ମରମ ପୀଡ଼ିତ

ବାଷ୍ପରୁଦ୍ଧ କଣ୍ଠେ ଆସ୍ୟ କରି ଅଶ୍ରୁସିକ୍ତ

 

ବୋଇଲା ବାଦଲ, ‘‘ମାଗୋ; ସେ ଶୋକ ବାରତା

କହିଲାବେଳକୁ ମନେ ଜନମଇ ବ୍ୟଥା ।

 

ନ’ କହି ସେ କଥା ପୁଣି ନ’ ହୁଏ ଠହରି

ଶୋକ ଦେଉଅଛି ଏଣେ କଣ୍ଠରୋଧ କରି ।’’

 

କିଛି କ୍ଷଣ ପରେ କରି ଧୀରତା ଧାରଣ,

ଭାସିଲା କରୁଣ କଣ୍ଠେ ବାଦଲ ଏସନ-

 

‘‘ମାଆ ଗୋ ! ପ୍ରଚଣ୍ଡ ବେଗ ଝଞ୍ଜା ବାତ ସମ

ପ୍ରକାଶି ସମରକ୍ଷେତ୍ରେ ଅମର ବିକ୍ରମ

 

ଅସଂଖ୍ୟ ଯବନ ସେନା ତରୁ-ପ୍ରାଣମୂଳ

ଉପାଡ଼ିଲେ କରି ତାତ ନିଃଶେଷ ନିଷ୍କଳ ।

 

ଫେରିବାକୁ କରୁଥିବା ବେଳେ ଉପକ୍ରମ,

ଆସିଲା ଗୋଲକଟିଏ ଅନଳ ଉପମ

ବାଜିବାରୁ ବେଗେ ପିତା ଲଳାଟପଟଳେ

ସଂଜ୍ଞାଶୂନ୍ୟ ହୋଇ ପଡ଼ିଗଲେ ଭୂମିତଳେ ।

 

ବିଫଳତା ପ୍ରସବିଲା ଯାବତ ଯତନ

ଶେଷେ ହେଲା ତାହା ତାଙ୍କ ମରଣ କାରଣ । ’’

 

ଏତେ କହି ଶୋକାବେଗେ କଲା ବିଳପନ

ନ ପାରିଲା ସ୍ଫୁରି ଆଉ ମୁଖରୁ ବଚନ ।

 

ବାଦଲର ବାଣୀ ଶୁଣି ବାଦଲ-ଜନନୀ

ଶୋକଗ୍ରସ୍ତ ହେଲେ ଯଥା ହୃତମଣି-ଫଣୀ ।

 

ଅଶ୍ରୁଜଳେ ଧୈର୍ଯ୍ୟବଦ୍ଧ ଭାଙ୍ଗି ଅଭାଗିନୀ

କ୍ରନ୍ଦନରୋଳରେ ଦେଲେ କମ୍ପାଇ ମେଦିନୀ ।

 

ଏହିପରି ବହୁକ୍ଷଣ କରି ସେ ରୋଦନ

ଶେଷେ ଚିତାନଳେ କଲେ ଆତ୍ମ-ବିସର୍ଜନ ।

 

ଦଶମ ସର୍ଗ

ଘୋର ଅନୁତାପେ ଆଜି ଯବନ-ଜୀବନ,

ହେଉଅଛି ଛଟଛଟ ଅହୋ କି’ ଭୀଷଣ !

 

ତୀବ୍ର-ବିଷ ବିଷଧର ରୂପେ କ୍ଷୋଭ ଆସି

ଦଂଶିଲା ଉତ୍କଟ ଭାବେ ଢାଳି ବିଷରାଶି ।

 

ବଇରାଗ୍ୟ-ପଞ୍ଚଆସ୍ୟ ଘୋର ଘନ ଘୋଷେ,

ଆକ୍ରମି ବିବ୍ରତ କଲା ଗରଜି ସରୋଷେ ।

 

କ୍ଷିପ୍ତ ଶିବା ପରି ହୋଇ ଲାଞ୍ଚ୍ଥନା ବାହାର,

କାମୋଡ଼ି ତା’ ଦେହଯାକ କଲା ଛାରଖାର ।

 

ଅଶାନ୍ତି ଆସିଲା ଧରି ମଧୁମକ୍ଷୀ ବେଶ,

ଶକ୍ତି ମାରି ଦେଲା ତାକୁ ଯାତନା ଅଶେଷ ।

 

ଅଧୀରତା ବ୍ୟାଘ୍ର କରି ବଦନ ବ୍ୟାଦାନ,

ଧାଇଁ ଆସିଅଛି କରିବାକୁ ରକ୍ତପାନ ।

 

ନିଶ୍ଚିନ୍ତେ ଦୁଶ୍ଚିନ୍ତା ତହିଁ ହେଲା ଉପଗତ

ମାଇଲା ବିରୁଡ଼ି ରୂପେ ଅସ୍ତ୍ର ପାଶୁପତ ।

 

ନଖରଦ ଅସ୍ତ୍ର ମାରି ଭୋଗେଚ୍ଛା ଭଲ୍ଲୁକୀ,

ଜନ୍ମାଇ ବିଷମ କ୍ଷତି ତହିଁ ଦେଲା ଥୁକି ।

 

ମାନସିକ ଅତ୍ୟାଚାରେ ସମ୍ରାଟ୍‌ ଏପରି

ହେଉଅଛି ପ୍ରପୀଡ଼ିତ ଦିବସ-ଶର୍ବରୀ ।

 

ଗଢ଼ୁଥିଲା ମନେ ମନେ ଯେ ସୁଖ ଜଗତ,

ତାକୁ କଲା ବିଫଳତା ଧ୍ୱଂସେ ପରିଣତ ।

 

ବ୍ୟାକୁଳତା ଜାଳି ଅତି ପ୍ରଚଣ୍ଡ ଜ୍ୱଳନ,

ପୋଡ଼ିପକାଇଲା ଶାନ୍ତି ସୁବର୍ଣ୍ଣ ଭବନ ।

 

ଛଳ-ବଳ-କଉଶଳ କରି ହାହାକାର

କରୁଛନ୍ତି ବିସର୍ଜନ ଲୋତକ ଆସାର ।

 

ମହାକ୍ରୋଧେ ଜରଜର ହୋଇ ଦିଲ୍ଲୀଶ୍ୱର,

ପ୍ରତିଶୋଧ ନେବାପାଇଁ ହେଲା ଅଗ୍ରସର ।

 

ଭାଷିଲା ସରୋଷେ ‘‘ଛାର ନାରୀଟିଏ ମତେ

ପକାଇଲା ଛନ୍ଦି ଏହି ଶୋଚନୀୟ ପଥେ !

 

ଦେଖିବା ରାଜପୁତନୀ କେତେ ବୁଦ୍ଧିମତୀ

ରାଜପୁତ ଜାତି କେତେ ରଖିଛି ଶକତି ।

 

ଧନବଳ ଜନବଳ ଯା’ ଅଛି ମୋହର

ନିୟୋଗି ତା’ ଉତ୍ସାଦନ କରିବି ଚିତୋର ।

 

ପଦ୍ମିନୀକି ନେଇ ରଖିଦେବି ଅଶ୍ୱଶାଳେ

ଅଶ୍ୱମଳ ପକାଇବା ଅଛି ତା’ କପାଳେ ।

 

ଭୀମକୁ ରଖିବି ଆମ ଚର୍ମ-ବଦ୍ଧ କରି,

ସଦ୍ୟ ଗୋରୁମାଂସ ଦେବି ତା’ ବଦନେ ଭରି ।

 

ସୈନ୍ୟବୃନ୍ଦେ ଆଦେଶିଲା ଲଗାଇ ବିତ୍‌ପାତ

ଚିତୋରକୁ ଭୂମିସାତ୍‌ କର ଅଚିରାତ ।

 

ଯେତେ ଦିନ ହେବ ନାହିଁ ସିଦ୍ଧ ମନୋରଥ

ଏ ସ୍ଥାନରେ ରଣ-ଚର୍ଯ୍ୟା କରିବା ତାବତ ।

 

ସମ୍ରାଟ୍‌ର ଦୃଢ଼ପଣ କରି ଆକର୍ଣ୍ଣନ

ରଚିଲେ ଭୀଷଣ ରଣ ତା’ ସୈନିକଗଣ ।

 

ପୁର୍ବପରି କଲେ ଯାଇ ଦୁର୍ଗ ଅବରୋଧ,

ଲାଛିଲେ କମାଣମାନ ବହି ବହୁ କ୍ରୋଧ ।

 

ଚୂର୍ଣ୍ଣୀଭୂତ ହେଉଅଛି କେତେ ଘରଦ୍ୱାର,

ବିଷମ ବ୍ୟାପାର ହେଲା ପଥେ ଚାଲିବାର ।

 

ରହି ହେଉ ନାହିଁ ଘରେ ଅଥବା ବାହାରେ

ଚିତୋର ନଗର ପୂରିଗଲା ହାହାକାରେ ।

 

ଦେଖ ଏ ଦାରୁଣ ଦୃଶ୍ୟ ଭୀମ ଦୁଃଖଭରେ

ଭଗ୍ନ ଗୃହ ନାଗରିକେ ରଖିଲେ ନବରେ ।

 

କରିବାକୁ ଯବନର ପ୍ରତାପଦଳନ

କିଛିକ୍ଷଣ ହେଲେ ବୀର ଧ୍ୟାନ ନିମଗନ ।

 

ଲକ୍ଷ୍ମଣ ସଦନେ ତହୁଁ ହୋଇ ଉପଗତ

ଦେଖିଲେ ସେ ବସିଛନ୍ତି ମୁଖ କରି ନତ ।

 

ପଦଶଦ୍ଦ ଶୁଣି ଟେକି ଈଷତ ବଦନ

ସମ୍ୱୋଧନ କରି ତାଙ୍କୁ ଡାକିଲେ ଲକ୍ଷ୍ମଣ ।

 

ଲକ୍ଷ୍ମଣଙ୍କୁ ଚାହିଁ ଭୀମ ହୋଇ ସମାସୀନ

ବୋଇଲେ ଆସିଲା ଭାଗ୍ୟ-ପରୀକ୍ଷାର ଦିନ ।

 

ବାବା, ଆଉ ଧୈର୍ଯ୍ୟ ଧରି ହେବ ନାହିଁ ରହି

ଅତିଶୟ ଧୀରଜନେ କାପୁରୁଷ କହି ।

 

ଯେ କରେ ସମୟ ଚାହିଁ କର୍ମ ଆଚରଣ,

ଲକ୍ଷ୍ମୀ ତାକୁ କରିଥାନ୍ତି ସାଦରେ ବରଣ ।

 

କାଳେଚିତ କର୍ମ ଯେହୁ ସାଧନେ ଅକ୍ଷମ,

ଜଗତରେ ସେହି ଜନ ପ୍ରକୃତ ଅଧମ ।

 

ଭୀଷଣ ସମୟ ବାବା, ସମ୍ମୁଖେ ଆଗତ

ଏ ସମୟେ ଅବଲମ୍ୱ ସମୁଚିତ ପଥ ।

 

ଲାଭାଲାଭ ଫଳାଫଳ ଈଶ୍ୱର ହାତରେ

ଅର୍ପି ଅଗ୍ରସର ହୁଅ କର୍ତ୍ତବ୍ୟ-ପଥରେ ।

 

ଅହରହ ଥା’ନ୍ତି ଯେହୁ କର୍ମପରାୟଣ,

ସହାୟ କେବଳ ଭବେ ତାଙ୍କ ପରାୟଣ ।

 

ହେଲାଣି ତ ବାବା, ତୁମ୍ଭେ ଏଥର ସମର୍ଥ

ଚିତୋର ଉଦ୍ଧାର ଅର୍ଥ କର ଦୃଢ଼ବ୍ରତ ।’’

 

ଲକ୍ଷ୍ମଣ ବୋଇଲେ, ‘‘ସେହି ଭାବନା ନିରତ-

ହୋଇ ବସିଥିଲି ବହୁକ୍ଷଣ ଏଯାବତ ।

 

ତୁମ୍ଭଙ୍କୁ ଡାକିବା ପାଇଁ ବଳୁଥିଲା ମନ

ଶୁଭ ମୁହୂର୍ତ୍ତରେ ଆସି ଦେଲ ଦରଶନ ।

 

ମୁହିଁ ତ ତୁମ୍ଭର ଛାତ୍ର, ତୁମ୍ଭେ ମୋ ଶିକ୍ଷକ,

ତୁମ୍ଭ ଉପଦେଶଚୟ ମୋ ପାଠ୍ୟ-ପୁସ୍ତକ ।

 

ମୋ ଉପରେ ଏବେ ଲଦି ଦେଇ ଗୁରୁଭାର,

ନିଶ୍ଚିନ୍ତ ରହିବା ତୁମ୍ଭ ପକ୍ଷେ ଅବିଚାର ।

 

ଯେତେବେଳେ କରିଅଛ ଯେପରି ଆଦେଶ,

ପାଳିବାରେ ତାହା ରଖି ନାହିଁ ଦୋଷ ଲେଶ ।

 

ସ’ଚିତୋର ଏବେ ମୋର ହୋଇ କର୍ଣ୍ଣଧାର

କର ଏ ବିପଦ ରୂପ ଅକୂପାର ପାର ।’’

 

ମୃଦୁହାସ୍ୟେ ତହୁଁ ଭୀମ ଭାଷିଲେ ଭାରତୀ

‘‘ଲକ୍ଷ୍ମଣ ! ବୃଦ୍ଧଙ୍କ ସୁଦ୍ଧା ନାହିଁ ଅବ୍ୟାହତି ।

 

ନାଶଶୀଳ ଦେହ ହେବ ଯେବେ ହେଲେ ନଷ୍ଟ

ଏ ସମୟେ କିପାଁ ହେବି କରଣୀୟ ଭ୍ରଷ୍ଟ ?

 

ବୀରତ୍ୱ ପ୍ରକାଶି ଯେବେ ମରଣ ବରଣ-

କରିବି, ତା’ ହେଲେ ହେବ ଜୀବନ ମୋ ଧନ୍ୟ ।’’

 

ପୁନଶ୍ଚ ବୋଇଲେ, ‘‘ଆଉ ନାହିଁ ଅବସର,

ବିପଦ ଆସୁଛି ଧରି ମୂର୍ତ୍ତି ଭୟଙ୍କର,

 

କରିବାକୁ କାଳୋଚିତ ମାର୍ଗ ନିର୍ଦ୍ଧାରଣ,

ସମନ୍ତ୍ରିକ ହୋଇ ଚଳ ମନ୍ତ୍ରଣାଭବନ ।

 

ନାମଧର ବୀରେ ମଧ୍ୟ ଆବାହନ କର,

ଦେଖିବା ପରଖି ଅଭିରୁଚି ସଭିଙ୍କର ।

 

ଏବେ ମୁହିଁ ଅଗ୍ରସର ହେଉଛି ସେ ସ୍ଥାନେ

ନ କରି ବିଳମ୍ୱ ଅତି ଆସ ତୁମ୍ଭେମାନେ ।’’

 

କିଛି କ୍ଷଣେ ଜନାକୀର୍ଣ୍ଣ ମନ୍ତ୍ରଣା ଭବନ,

ଧରି ନୀତି-ବିଶାରଦ ପାତ୍ର-ମିତ୍ରଗଣ ।

 

ସମୁଚ୍ଚ ଆସନେ ବସିଛନ୍ତି ରାଣାଦ୍ୱୟ,

ଯଥାଯୋଗ୍ୟ ଆସନରେ ଅନ୍ୟ ଲୋକଚୟ ।

 

ଗମ୍ଭୀରତା ବହିଅଛି ସକଳ ବଦନ,

ତା’ ଉପରେ ବିଷାଦର କାଳିମା ଲେପନ ।

 

ହେଇଅଛି ସମସ୍ତଙ୍କ ମତି ଚିନ୍ତାକୁଳ,

ବାଳକ ବାଦଲ ମୁଖ କେବଳ ପ୍ରଫୁଲ୍ଲ ।

 

ରହିଛନ୍ତି ସର୍ବେ ହୋଇ ନୀରବ ନିଶ୍ଚଳ,

କଥା କହିବାକୁ ଯେହ୍ନେ ନାହିଁ କାହା ବଳ ।

 

ସହସା ଦେଖିଲେ ହେବ ମନରେ ପ୍ରତୀତ

ମାର୍ତ୍ତିକ ମୂରତି ବୀଥି ଏ’କି ଏକତ୍ରିତ ।

 

ନିଃଶ୍ୱାସ ପବନ ଆଉ ପଲକ ପତନ

କରେ ସଜୀବତା ଚିହ୍ନ ତା’ରେ ପ୍ରକଟନ ।

 

ବହୁକ୍ଷଣ ଏହି ରୂପେ ହୋଇଗଲା ଗତ,

ନୀରବତା ଭାଙ୍ଗି ଭୀମ ଭାଷିଲେ ଏମନ୍ତ-

 

‘‘ଚିତୋର ଦୁର୍ଦ୍ଦଶା ସର୍ବେ କରୁଛ ଦର୍ଶନ,

ଏ କାର୍ଯ୍ୟର କର୍ତ୍ତା ସେହି ଦୁରାତ୍ମା ଯବନ ।

 

ଜିଘାଂସାର ଦଶବର୍ତ୍ତୀ ହୋଇ ସେ କେବଳ

ଅହୋରାତ୍ର ଘଟାଉଛି ଆମ୍ଭ ଅମଙ୍ଗଳ ।

 

ଯବନ ପ୍ରତାପ ଏବେ ସହନ ଅତୀତ

କି ଉପାୟ ଆଚରିବା ବିଚାର ତ୍ୱରିତ ।

 

ଭାଗ୍ୟ-ପରୀକ୍ଷାର ଏହା ପ୍ରଶସ୍ତ ସମୟ

ଏଥିରୁ ଉତ୍ତୀର୍ଣ୍ଣ ହେଲେ ହେବ ଭାଗ୍ୟୋଦୟ ।’’

 

ଭୀମଙ୍କ ବଚନ ଶୁଣି ପାର୍ଷଦମଣ୍ଡଳ

ବୋଇଲେ , ‘‘ତୁମ୍ଭେ ହିଁ ଆମ୍ଭ ସବୁ ବୁଦ୍ଧିବଳ ।

 

ତୁମ୍ଭ ବିନା କେ କରିବ ଉପାୟ ଚିନ୍ତନ

କେ ଅବା କରିପାରିବ ବିପଦ ଖଣ୍ଡନ ।

 

ତୁମ୍ଭେ ରାଜା ତୁମ୍ଭେ ଗୁରୁ ସର୍ବଦା ଆମ୍ଭର

ଭାଗ୍ୟ-ବିଧାୟକ ତୁମ୍ଭେ ମନ୍ତ୍ରଣା-ଆକର ।

 

ବୁଦ୍ଧିରେ ତୁମ୍ଭର ଆମ୍ଭେ ସର୍ବେ ବୁଦ୍ଧିବାନ

ବୀର୍ଯ୍ୟ ତୁମ୍ଭ ଆମ୍ଭ ବୀର୍ଯ୍ୟବତ୍ତ ଉପାଦାନ ।

 

ତୁମ୍ଭେ ଯେ ପଥରେ ନେବ ଚଳିବୁ ସେ ପଥେ

ସହମତ୍ୟ ଅଛି ଆମ୍ଭ ସଦା ତୁମ୍ଭ ମତେ ।

 

ଯାହା କରିବାକୁ ଏବେ ମଣନ୍ତି ଉଚିତ

ସତ୍ୱର କରିବା ହେଉ ସୁନୀତି-ପଣ୍ଡିତ ।’’

 

ସଭାସଦ ବାକ୍ୟେ ଭୀମ ଦେଇ ପ୍ରତି-ଗିର,

ବୋଇଲେ ଜଗତେ କିଛି ନୁହେଁ ଚିରସ୍ଥର ।

 

ଧନଜନ ଦେହ ଗେହ ସବୁ କାଳାଧୀନ,

କାନ୍ତିମତୀ କୀର୍ତ୍ତି କିନ୍ତୁ ରହେ ଚିରଦିନ ।

 

ଜଗତରେ କୀର୍ତ୍ତିକରୀ ଅସି-ମସି ବେନି,

ଦୁହେଁ ଥା’ନ୍ତି ଦୁହିଁଙ୍କର ସହାୟତା ଘେନି ।

 

ଅସି-ବ୍ୟବସାୟୀ ଆମ୍ଭେ ଧରି ତୀକ୍ଷ୍‌ଣ ଅସି,

ସ୍ଥାପନ କରିବା ମର୍ତ୍ତ୍ୟେ କୀର୍ତ୍ତି ମହୀୟସୀ ।

 

କରୁଥିବେ ଚିରକାଳ ଆମ୍ଭ ଗୁଣଗାନ

ନିଖିଳ ଭାରତବାସୀ ମାନବ-ସନ୍ତାନ ।

 

ଅଜୟ ଅଟଇ ରାଣା ପ୍ରିୟତମ ଧନ,

କୈଲବାର ଦୁର୍ଗେ ତାକୁ କରିବା ପ୍ରେରଣ ।

 

କୈଲବାର ସୁଦୁର୍ଗମ ସ୍ଥାନେ ଅବସ୍ଥିତ

ସର୍ବଦା ଅରାତି ଅତିବିଧି ବିରହିତ ।

 

ଅଜୟ ବହିବ ଭାବୀ ବଂଶରକ୍ଷା ଭାର

ଅନୁଯାତ୍ରୀ ହେବେ ଦୁର୍ଗ ବାଳବୃଦ୍ଧେ ତାର ।

 

ସ୍ତନ୍ୟପାୟୀ ବାଳକର ଯେ’ ଅଟେ ଜନନୀ

ତାଙ୍କ ସହଯାତ୍ରୀ ହୋଇପାରେ ସେ’ ରମଣୀ ।

 

ଏ ବାହାରେ ’ଛନ୍ତି ଏଥେ ଯେତେକ ଗର୍ଭିଣୀ

ଇଚ୍ଛାକଲେ ହେବେ ତାଙ୍କ ପଶ୍ଚାତଗାମିନୀ ।

 

କାପୁରୁଷ ଭୀରୁ ଦୁର୍ଗେ ରହିଛନ୍ତି ଯେତେ

ଅନୁଚିତ ସେମାନଙ୍କ ରହିବା ଏ କ୍ଷେତ୍ରେ ।

 

ଅବଶିଷ୍ଟ ରହିଯିବେ ଆଉ ଯେତେ ଜନ,

ଅଦୃଷ୍ଟ ପରୀକ୍ଷା ପାଇଁ କରିବେ ଯତନ ।

 

ଫଳାଫଳ ଅର୍ପିଦେଇ ଈଶ୍ୱର ହସ୍ତରେ

ଯାଇ ଉପଗତ ହେବା ସମରକ୍ଷେତ୍ରରେ ।

 

ରହିଛି ଅପରିମିତ ବାହିନୀ ଯବନ,

ସ୍ତୋକ ସେନା ନେଇ କଲେ ତା’ ସହିତ ରଣ,

 

ନ ହେବ ବାସନା ସିଦ୍ଧ ଅବା କାର୍ଯ୍ୟୋଦ୍ଧାର,

ଉପହାସ ପାତ୍ର ହେବା ମାତ୍ର ହେବ ସାର ।

 

ଏକୀଭୂତ କରି ଏଣୁ ସମସ୍ତ ଶକତି

ଯୁଦ୍ଧ-ଯଜ୍ଞ ଆଚରିବା ହୋଇ ଏକମତି ।

 

ପ୍ରାସାଦ ଉପରେ ରହି ଚିତୋରୀ ମହିଳା,

ଦେଖୁଥିବେ ସ୍ଥିରନେତ୍ରେ ଆମ୍ଭ ରଣଲୀଳା ।

 

ସମର ସଙ୍ଗୀତ ଗାଉଥିବେ ଅନିବାର

ରଚୁଥିବେ ପୁଷ୍ପେ ଆମ୍ଭପାଇଁ ଜୈତ୍ରହାର ।

 

ଜୟଶ୍ରୀ ଲଭିଲେ ତାହା ଦେବେ ଆମ୍ଭ ଗଳେ,

ନତୁବା ପିଙ୍ଗିବେ ନେଇ ଜ୍ୱଳନ୍ତ ଅନଳେ ।

 

ତା’ ସଙ୍ଗେ ଆଦରି କୁଳଧର୍ମ ସନାତନ

ପବିତ୍ର ଜହର-ବ୍ରତ କରିବେ ପାଳନ,

 

ଯବନ ଯେପରି କରି ସହସ୍ର ଉଦ୍ୟମ,

ରମଣୀ କେଶାଗ୍ର ସ୍ପର୍ଶେ ହେବ ନାହିଁ କ୍ଷମ ।

 

କିମ୍ୱା ଯେବେ ଯବନର ହୋଇ କ୍ରୀତଦାସ,

ରହିବା ତା ହେଲେ ବେଗେ ଯାଇ ତାର ପାଶ,

 

ନିଜ ନିଜ ରମଣୀକି କରି ଅରପଣ

କ୍ଷମା ମାଗି ପଶିବା ତା’ ଚରଣେ ଶରଣ ।

 

ଶେଷୋକ୍ତ ବଚନେ ସର୍ବେ ସରୋଷେ ଗରଜି

ଛିଡ଼ା ହେଲେ ନିଜ ନିଜ ଆସନ ବରଜି ।

 

ବୋଇଲେ, ‘‘ଏ କଥା ହେବ ନାହିଁ କଦାଚିତ

ରହିଥିବାଯାଏ ଆମ୍ଭେ ଯାବତ ଜୀବିତ ।’’

 

ସହସା ଚାଞ୍ଚଲ୍ୟ ତହିଁ ହେଲା ସଞ୍ଚାରିତ,

ସେ ଉଚ୍ଚ ପ୍ରାସାଦ ହେଲା ଉଚ୍ଚେ ମୁଖରିତ,

 

ତହୁଁ ସର୍ବେ ହୋଇ ଏକପ୍ରାଣ ଏକମନ

ଭୀମ ମୂଳ ବାକ୍ୟାବଳୀ କଲେ ସମଥର୍ନ ।

 

ଯଥାକାଳେ କରିବାକୁ ଆଦେଶ ପାଳନ,

ଅଙ୍ଗୀକାର କରି ଗଲେ ସଭାସଦଗଣ ।

 

କୈଲବାର ପ୍ରତି କଲେ ଅଜୟ ବିଜୟ

ସଙ୍ଗେ ଧରି ଦୁର୍ଗବାସୀ ବାଳ-ବୃଦ୍ଧଚୟ ।

 

ତାଙ୍କ ସଙ୍ଗେ ଗଲେ କେତେ ଗର୍ଭିଣୀ କାମିନୀ

ଶିଶୁ ପୁତ୍ର ବକ୍ଷେ ଧରି କେତେ ନିତମ୍ୱିନୀ ।

 

ଚଳିଲେ ଅଳ୍ପ ସେନା ଅଜୟ ଗହଣ,

କରିବାକୁ ଆକସ୍ମିକ ବିପଦଖଣ୍ଡନ ।

 

ନୀରବେ ସର୍ବେ ଚଳିଲେ ଦ୍ରୁତେ ଅବିରତେ

ରଜନୀ ଅନ୍ଧାରେ ଏକ ଗୋପନୀୟ ପଥେ ।

 

ଚିତୋରିଏ ହୋଇ ଏଣେ ଯୁଦ୍ଧାର୍ଥ ପ୍ରସ୍ତୁତ,

ରାଜଦ୍ୱାରଦେଶେ ଯାଇ ହେଲେ ରୁଣ୍ଡୀଭୂତ ।

 

ଧରଣୀ କମ୍ପାଇ ବାଜେ କେତେ ବୀରବାଦ୍ୟ

ବୀରବକ୍ଷ ନାଚିଉଠେ ଶୁଣି ସେ ନିନାଦ ।

 

ବୀରଯୋଗ୍ୟ ବେଶେ ସାଜେ ସର୍ବ ଅପଘନ

ଗର୍ବଭରେ କରୁଛନ୍ତି କେତେ ବିଚରଣ ।

 

ଅସ୍ତ୍ର କଉଶଳ କେହି କରେ ପ୍ରଦର୍ଶନ

ବେନି ହସ୍ତେ କରି ବେନି କୃପାଣ ଧାରଣ ।

 

ବାହୁରେ ଆସ୍ଫୋଟ ମାରି ବୀରଦର୍ପ ବହି,

ଉପରକୁ ଡେଇଁପଡ଼ୁଛନ୍ତି କେତେ ତହିଁ ।

 

ମାରି ହେଉଛନ୍ତି କେତେ ଶୂନ୍ୟେ ଶୂନଚିତ

ହେଉଛନ୍ତି ସେହି କ୍ଷଣି ପୁଣି ଦଣ୍ଡାୟିତ ।

 

ପଛ ପଟେ କରି କିଏ ମସ୍ତକ ଘୂର୍ଣ୍ଣନ,

ଦେଖାଇ କୌଶଳ ଅନ୍ୟ ମୁଗ୍‌ଧ କରେ ମନ ।

 

ଉପରକୁ ପାଦ ଟେକି ନତ କରି ଶିର,

ହାତେ ଚାଲିଯାଉଛନ୍ତି ତହିଁ କେତେ ବୀର ।

 

କରନ୍ତି କୃତ୍ରିମ ଯୁଦ୍ଧ ଆଉ କେତେ ଜଣ

ଶୂଳ, ଭଲ୍ଲ, ଅସି କରି ସଂଯତେ ଚାଳନ ।

 

ଚକ୍ରକ୍ରୀଡ଼ା କରୁଛନ୍ତି କେତେ ଚକ୍ରଧର

ଶୂନ୍ୟଦେଶେ ଫିଙ୍ଗି ଚକ୍ର ଛିନନ୍ତି ସତ୍ୱର ।

 

ଅଶ୍ୱ ଦଉଡ଼ାଇ କେହି ଅଶ୍ୱାରୋହୀ ଆଗେ

ଅସ୍ତ୍ରାଘାତେ କ୍ଷିପ୍ତ ଲେମ୍ୱୁ କାଟେ ସମଭାଗେ ।

 

ପ୍ରଧାବିତ ତୁରଙ୍ଗମ ପୃଷ୍ଠେ କେବା ଥାଇ

ନେଉଅଛି ଭୂପତିତ ଶିରସ୍ତ୍ର ଗୋଟାଇ ।

 

ସିନ୍ଦୂରଚିତ୍ରିତ ବହୁ କରିବର ଶିର,

ଆଚ୍ଛାଦିତ ବହୁ ମୂଲ୍ୟ ବାସେ ଯା’ ଶରୀର

 

ଶୃଣି ହସ୍ତ ହସ୍ତିପଲେ ତା’ ମସ୍ତକେ ବସି,

ଗାଆନ୍ତି ସରସ ଗୀତ ହରଷ ବରଷି ।

 

ମହାକାୟ ଗଜବ୍ରଗ ସେ ଗୀତ ଶ୍ରବଣେ

କର୍ଣ୍ଣତାଳ ଦେଉଥାନ୍ତି ମହାମୋଦ ମନେ ।

 

ମନ୍ଦ ଗନ୍ଧବହେ ହୋଇ ଆନନ୍ଦ ମଗନ

ଉଡ଼ଇ କେତନରାଜି ଗଗନେ ସଘନ ।

 

ଚିର ରାଜଭକ୍ତ ଭଲ୍ଲଧାରୀ ଭିଲଗଣ,

ଆସି ସମବେତ ହେଲେ ତହିଁ ଅଗଣନ ।

 

ଲେଙ୍ଗୁଟିରେ ଭିଡ଼ା ହୋଇଅଛି କଟିତଟ,

ଭଟତା ପ୍ରକଟ କରେ ସୁଗଠିତ ଘଟ ।

 

ସୁରଙ୍ଗ-ବିହଙ୍ଗ-ପର-ବିରଚିତ ଟୋପି

ବହିଛନ୍ତି ନିଜ ନିଜ ମସ୍ତକେ ଆଟୋପି ।

 

କପର୍ଦ୍ଦଜଡ଼ିତ ଚାରୁ କାରୁକର୍ମମୟ

ତନୁ ତ୍ରାଣେ ଆବରିତ ଦୃଢ଼ କାୟଚୟ ।

 

ନୀଳସୂତ୍ର ଗୁଚ୍ଛ ବାହୁମଧ୍ୟେ ବିମଣ୍ଡିତ,

ଶ୍ରବଣେ ମଣ୍ଡଳାକାର ଭୂଷା ଦୋଳାୟିତ ।

 

କାଣ୍ଡ ପୃଷ୍ଠପରି, ପୃଷ୍ଠେ କାଣ୍ଡପୂର୍ଣ୍ଣ ନଳ

ଲମ୍ୱିତ କୋଦଣ୍ଡ ଦଣ୍ଡ ଶୋଭେ କନ୍ଧସ୍ଥଳ ।

 

ବକ୍ଷରେ ଶୋଭଇ ଚାରୁ ଗରଗଡ଼ କାଳ

ଗୈରିକ ରାଗରେ ଦିଶେ ଉଜ୍ଜ୍ୱଳ କପାଳ ।

 

ଘୁଙ୍ଗୁରେ ଭୂଷିତ ଶ୍ରୋଣି ଶ୍ରେଣୀ ପାଦଦେଶ

ଚାଲିଗଲେ ରୁଣୁଝୁଣୁ ଶୁଭଇ ବିଶେଷ ।

 

ଏ ସମୟେ ସର୍ବୋତ୍ତମ ଲକ୍ଷଣସମ୍ପନ୍ନ

ପହଞ୍ଚିଲେ ବୀରବେଶେ ପ୍ରବୀର ଲକ୍ଷ୍ମଣ ।

 

ଚାଲିଛନ୍ତି ପଛେ ତାଙ୍କ କୁଳ ଆଭରଣ

ସ୍ୱଧର୍ମ ପାଳନକ୍ଷମ ପ୍ରିୟ ପୁତ୍ରଗଣ ।

 

ଆସିଗଲେ ଭୀମ ସିଂହ ବାଦଲ ସହିତ

କାଳୋଚିତ ବେଶଭୂଷା ଅଙ୍ଗେ ବିଭୂଷିତ ।

 

ଉତ୍ସାହ ରସରେ ହେଲା ପ୍ରାୟେ ରସାଣିତ

ସକଳ ବଦନ ଦିଶୁଅଛି ପ୍ରଫୁଲ୍ଲିତ ।

 

ବନ୍ଦାପନାଥାଳି ଘେନି ଭୁବନମୋହିନୀ

ମୀରା ସହ ଉପଗତ ଏ କାଳେ ପଦ୍ମିନୀ ।

 

ତାଙ୍କ ପଛେ ପଛେ ଆସି ହେଲେ ଏକତ୍ରିତ

କୁଳବଧୂକୁଳ ଗାଇ ସମର-ସଙ୍ଗୀତ ।

 

ସମର-ସଂଗୀତ

ଯୁଦ୍ଧବିଳାସୀ ଚିତୋର ନିବାସୀ

ଉଠ ଉଠ ବେଗ କରି ହେ,

ଅରାତି ରକ୍ତ ପିପାସାସକ୍ତ ଦୀପ୍ତ

ଖଡ଼୍‌ଗ ଧରି ହେ । ଘୋଷା ।

 

ହୃଷ୍ଟମାନସେ ହୁଅ ପ୍ରବିଷ୍ଟ

ଇଷ୍ଟ ସାଧନ ପାଇଁ ହେ,

ଅତି ପବିତ୍ର ସମରକ୍ଷେତ୍ର

ରହିଅଛି ପଥ ଚାହିଁ ହେ । ୧ ।

 

ଦୁରନ୍ତ ଅରି ରକ୍ତରେ କର

ଅନୁରଞ୍ଜିତ ଅସି ହେ,

ଦର୍ପୀ ଦର୍ପ ବିଦଳିତ କରି

ମୁଖେ ତାର ଘଷ ମସି ହେ । ୨ ।

 

ପିତୃପାଳିତ ମହା ମହିମିତ

ଧର୍ମକୁ ଅନୁସର ହେ,

ଜନ୍ମଭୂମିର ହିତ ଅର୍ଥରେ

କର୍ମ ବହନ କର ହେ । ୩ ।

 

ବୀରବିଶ୍ରୁତ ଶାନ୍ତନୁସୂତ

କର୍ଣ୍ଣାଜୁନ ରାମ ହେ,

ଯେ ପଥେ ପଥିକ ଚାଲି ସେହି ପଥେ

ସାର୍ଥକ କର ନାମ ହେ । ୪ ।

 

ମର୍ତ୍ତ୍ୟ ଭୁବନେ ଯଶ ଅମର୍ତ୍ତ୍ୟ

ରଖିଯାଅ ଚିର କାଳ ହେ,

ଗାଉଥିବେ ଯାହା ଭାବୀ ଭାରତର

ବୃଦ୍ଧ ବନିତା ବାଳ ହେ । ୫ ।

 

କି ଅଛି ଶକ୍ତି କର ହେ ବ୍ୟକ୍ତି

କ୍ଷାତ୍ର-ଶୋଣିତ-ବିନ୍ଦୁର,

ଦେଖୁ ଏଇ ଲୋକ ଅତି ଲୌକିକ

କାର୍ଯ୍ୟ-କଳାପ ହିନ୍ଦୁର । ୬ ।

 

ଜନନୀ-ବକ୍ଷ-ଅଲକ୍ଷ୍ୟ-ବଳ-

ବିଧାୟକ ଯେଇଁ ସ୍ତନ୍ୟ ହେ,

ପାନକରି ଭୂରି ବୀର୍ଯ୍ୟ ବହିଛ, ଦେଖାଇ

ହୁଅ ତା’ ଧନ୍ୟ ହେ । ୭ ।

 

ମାତୃ ଜାତିର ମାତୃକ୍ଷିତିର

ଉଜ୍ଜ୍ୱଳକର ମୁଖ ହେ,

ବୀର ବିକ୍ରମେ ବିନାଶି ବୈରୀ

ବିଦୂରିତ କର ଦୁଃଖ ହେ । ୮ ।

ଲଳନା ଲଳିତ କଣ୍ଠେ ଶୁଣି ଏ ସଙ୍ଗୀତ,

ଏକକାକେ ସର୍ବ ଚିତ୍ତ ହେଲା ତରଳିତ ।

 

ଜୟ ଏ କଳିଙ୍ଗ ଜୟ କରି ଉଚ୍ଚାରଣ,

ଅତି ଉତ୍ସାହରେ କଲେ ଗଗନ କମ୍ପନ ।

 

ସହସା ଉଠିଲା ଜିଣି ଜଳଧି କଲ୍ଲୋଳ

ଦୁନ୍ଦୁଭି, ପଟହ, ତୂରୀ ଆଦି ବାଦ୍ୟରୋଳ ।

 

ବହୁ ଉନ୍ମାଦନା ଢାଳି ବୀରଙ୍କ ଜୀବନେ,

ବହୁ ଦୂର ବ୍ୟାପିଗଲା ପବନାରୋହଣେ ।

 

ଭୀମେ ବନ୍ଦାପନା କଲେ ପଦ୍ମିନୀ ସୁନ୍ଦରୀ

ଦୂର୍ବାକ୍ଷତ ପୁଷ୍ପ ଦୀପ ଆଦି କରେ ଧରି ।

 

ଲକ୍ଷ୍ମଣେ ସେପରି କଲେ ତତକ୍ଷଣେ ମୀରା,

ସର୍ବଗୁଣ ବିଭୂଷିତା ନାରୀକୁଳ ହୀରା ।

 

ଚିତୋର ଈଶ୍ୱରୀ, ଏକଲିଙ୍ଗ ନାମ ସ୍ମରି,

ଚଢ଼ିଲେ ସକଳେ ନିଜ ଯୋଗ୍ୟ ଯାନୋପରି ।

 

ମହାନନ୍ଦେ ମହୋତ୍ସାହେ ହୋଇ ଉବ୍ଦେଳିତ,

ରଣଭୂମି ଅଭିମୁଖେ ଚାଲିଲେ ତ୍ୱରିତ ।

 

ପୁରାଙ୍ଗନାଗଣ ପଥ ପାର୍ଶ୍ୱ ସୌଧେ ଥାଇ

ଦେଇ ହୁଳହୁଳି, ମଧୁମୟ ଗୀତ ଗାଇ,

 

ସୁରଭିତ ପୁଷ୍ପାଞ୍ଜଳି କରି ବରଷଣ,

ଜଣାଇଲେ ବୀରବର୍ଗେ ସ୍ୱ-ଅଭିବାଦନ ।