କି ବୋଲିବି ଡାକିବି ମାଆ ଗୋ !
କୋଟି କଙ୍କାଳମାଳିନୀ,
ଦଳିତା ଲାଞ୍ଜିତା ଭୀତା
ଜଗତର ଜଞ୍ଜାଳିନୀ । ଘୋଷା।
ଜରେ ଜରେ ଜର ତନୁ
ଶିରୀ ସରଚି ବଦନୁ,
ସାହସ ହଜିଚି ମନୁ କଳିଙ୍ଗ ତୁ କାଙ୍ଗାଳିନୀ ।୧।
ବରଷେ ବରଷେ ବଢ଼ି
ପାଣିରେ ଗଲୁଣୁ ସଢ଼ି,
ଦେହେ ଚିରାକନା ଧଡ଼ି
ପେଟଭୋକେ ପାଗଳିନୀ ।୨।
ଭଙ୍ଗା ତୋର ବାରବାଟୀ
କୋଣାର୍କ ଚୁମ୍ୱୁଚି ମାଟି,
ରୁକ୍ଷ ବକ୍ଷ ପଡ଼େ ଫାଟି କାନ୍ତିହୀନା କରାଳିନୀ ।୩।
ଚୋର ବିଦେଶୀ ଗାଲୁଆ
ହରିନେଲେ ହୀରା ଲୁହା,
ଶୂନ୍ୟ ତୋ ସୁନା ଫରୁଆ, ଭିକ୍ଷାଥାଳୀ-ସ୍ୱମ୍ୱଳିନୀ ।୪।
ଆମ ଚିଜ ନେଲେ ବହି,
ନିଜର ସେ ହେଲେ କହି,
ପର ପଦାଘାତ ସହି ପାଷାଣ ତୁ ରସାଳିନୀ ।୫।
ପ୍ରଶ୍ନ
ମହାନଦୀର ପ୍ରବଳ ବନ୍ୟା ଓଡ଼ିଶାର ପ୍ରଧାନ ସମସ୍ୟା । ଏ ସମସ୍ୟାର ସମାଧାନ ନ ହେଲେ ଓଡ଼ିଆଜାତି କଦାପି ମୁଣ୍ଡ ଟେକିପାରିବ ନାହିଁ । ଲକ୍ଷ ଲକ୍ଷ ପ୍ରତିବର୍ଷ ମରିବେ ଓ ଘରଦ୍ୱାର ଛଡ଼ା ହେବେ ତ ଦେଶର ଉନ୍ନତି ହେବ କିପରି ? କିନ୍ତୁ ଓଡ଼ିଶାର ଏ ସମସ୍ୟା ପ୍ରତି ଅର୍ଥାଭାବରୁ ହେଉ କି ଆମର ଦୁର୍ବଳତା ଯୋଗୁଁ ହେଉ, କାହାରି ଦୃଷ୍ଟି ପଡ଼ିନାହିଁ । ଅତଏବ ଆମେ ସର୍ବଦା ଦୀନ-ଦରିଦ୍ର ଓ ଜଗତର ଅଜ୍ଞାତ ଜାତି ହୋଇ ରହିବୁଁ ସିନା । ଏହାର ପ୍ରତିକାର ।
କୁନ୍ତଳା କୁମାରୀ
ଆକାଶେ ଉଦୟ ନୀଳ ମେଘର କାନ୍ତି,
ଘରେ ଘରେ ଆଜି ପରା ରଜ ସଂକ୍ରାନ୍ତି ।
ଆସିଲା ଆଷାଢ଼ ସଙ୍ଗେ ଘେନି ବରଷା,
କାମରେ ଗଲେଣି ଲାଗି ଆଜିଠୁଁ ଚଷା ।
କିନ୍ତୁ ମହାନଦୀ କୂଳେ ବସା ମୋହର,
ମେଘ ଦେଖି ତା କଥାକୁ ମାଡ଼ୁଛି ଡର ।
ବିଦେଶରେ କକା ମୋର କରେ ଚାକିରି,
ବିଧବା ବୋଉଟି ଘର ରହିଛି ଧରି ।
ନୂଆ ବୋହୂ ଖୁଡ଼ୀ ମୋର, ନ ଶୁଭେ ପାଟି,
କରିବୁଁ ମାଟିକୁଡ଼ିଆ ଘେରାଇ ଝାଟି ।
ବାଡ଼ିରେ ବୁଣିବୁ କିଛି ଶାଗପତର,
କିନ୍ତୁ ମହାନଦୀ କୂଳ, ମାଡ଼ୁଛି ଡର ।
ଜମି ତିନିମାଣ, ଧାନ ହୁଏ ନିଅଣ୍ଟ,
ଟଙ୍କି ଟିକସ ତହିଁକି ଖଜଣା କଣ୍ଟ ।
ଘରେ ବନ୍ଧା ଗୋରୁ ଦୋଟି ହେଲେଣି ହଡ଼ା,
ଗୋଚର ଭୂଇଁ ତ ନାହିଁ ଘାସ କି ନଡ଼ା ।
ପଖାଳ ପେଜରେ ଆମେ ଜୀଇଁ ରହିଚୁଁ,
ମହାନଦୀ କୂଳେ ପାଣି ବସା ବାନ୍ଧିଚୁଁ ।
କକା ପଠାଏ ମାସକୁ ଟଙ୍କା ଚାରୋଟି,
ଦୁଃଖ ସୁଖେ ଚଳୁଁ ଆମେ ପ୍ରାଣୀ ତିନୋଟି ।
କଲିକତା ବୋଲି କାହିଁ ଦୂର ସହର,
ସହଜେ କକା କି କେବେ ଆସଇ ଘର !
ବାଳୁତ ପୁଅଟି ମୁହିଁ, ନାହିଁ ଭରସା,
ମହାନଦୀ କୂଳେ ପୁଣି କରିଚୁଁ ବସା ।
ପହିଲି ଆଷାଢ଼ ମେଘ ବରଷେ ପାଣି
ବଢ଼ିବ ଏଥର ମହାନଦୀ ଉଠାଣି ।
ଘୋର ବଢ଼ି ଦିନେ କାହୁଁ ଆସିବ ମାଡ଼ି,
ନେବ ଏକାବେଳେ ତାଟି କବାଟ ତାଡ଼ି ।
ମହାନଦୀ କୂଳେ ଯେତେ ବାନ୍ଧିଚୁଁ ବସା,
କିଏ ରଖିବ ଆମକୁ, କିଏ ଭରସା ?
ଆଜି ଜଗନ୍ନାଥଙ୍କର ସ୍ନାନ ଯାତରା,
ଉଠେ ପରା ମଳୁ ଛାଡ଼ି ହେଁସ କତରା ।
କେତେ ପୁନିଅଁ ପରମ ଗୁଣ୍ଡିଚା ଯାତ,
ବଡ଼ ଦେଉଳେ ଭେଟନ୍ତି ସହୀ ସଙ୍ଗାତ ।
ଆମେ ମହାନଦୀ କୂଳେ କରିଚୁଁ ଘର,
ଆମେ ପାଇଁ ଏ ସୁଖ ତ ସ୍ୱପ୍ନମାତର ।
ମାଆ ବୋଲି ମହାନଦୀ ନାଆଁ ପଡ଼ୁଚି,
ଗାଆଁ ଗଣ୍ଡା ବୁଡ଼ାଇ କି ଯଶ ଅର୍ଜ୍ଜୁଚି ?
ଏଡ଼େ ବଡ଼ ରାଜ୍ୟ ପରା ଆମ ଓଡ଼ିଶା,
ଆମ ଲୋକହାତରେ କି ନାହିଁ ପଇସା ?
ଆଉ କି ଅଛନ୍ତି ପୂର୍ବ ଓଡ଼ିଆ ପୁଅ,
ବନ୍ଧ ବନ୍ଧାଇ ନଦୀରେ ରୋଧିବେ ସୁଅ ?
ଏବେ ଆମେ ଅତି ଦୀନ ଦୁର୍ବଳକାୟ,
ଆସିଲେ ଭୀଷଣ ବଢ଼ି ନାହିଁ ଉପାୟ ।
ଦଣ୍ଡକେ ଭସାଇ ନିଏ ଘରଦୁଆର,
ସେତେବେଳେ କେ କରଇ କା’ ଉପକାର !
ଲକ୍ଷ ଲକ୍ଷ ଜୀବନକୁ ନାହିଁ ଭରସା,
ମହାନଦୀ କୂଳେ ଯେତେ ବାନ୍ଧିଚୁଁ ବସା ।
ବଢ଼ିରେ ଉଚ୍ଛନ୍ନ ଦେଶ ପ୍ରତି ବରଷ,
ଶୁଣ ମେଘ ଘଡ଼ଘଡ଼ି ନାହିଁ ହରଷ ।
ଆମ ଫସଲବୁଣା ଯେ ନୁହେ ସାର୍ଥକ,
ଧୋଇଆ ଅଞ୍ଚଳ, ସଦା ମନରେ ଦକ ।
ମହାନଦୀ କୂଳେ ମିଛେ କରିଚୁଁ ଘର,
ଛାଡ଼ି ପଳାଇବୁଁ ସର୍ବେ ଗାଆଁ ଏଥର ।
ଗାଆଁରେ ରହି କି ଲାଭ, ବଢ଼ି ମଡ଼କ,
ନିତି ଆମ ମୁଣ୍ଡେ ପଡ଼େ ରାଧାଚଡ଼କ ।
ଆମ ଦୁଃଖ କଥା କହି ନ ଶୁଣେ ପଦେ,
ବିଦେଶ ଗଲେଣି ତେଣୁ ଗାଆଁରୁ ଅଧେ ।
ମହାନଦୀ କୂଳେ ମିଛେ ବାନ୍ଧିଚୁଁ ବସା,
ତା’ ଟାଣ ସୁଅ ମୁହଁକୁ ନାହିଁ ଭରସା ।
କହୁଥିଲେ ଆମ ଆଗେ ନନ୍ଦ ମାଷ୍ଟର,
ହେବ ବଡ଼ ରାଜ୍ୟ ଆମ ଦେଶ ଏଥର ।
ବଡ଼ ରାଜ୍ୟ ହୋଇ ଯଦି ଆସିବ ବଢ଼ି,
କେହି ନ ରୋଧିବେ ମହାନଦୀ ଲହଡ଼ି ।
ସେ ବଡ଼ ରାଜ୍ୟରେ କହ କି ଲାଭ ଆଉ,
କେତେ ସହିଁବୁ ଏ ମହନଦୀର ଦାଉ ?
ହୋଇଥିଲା ସେ ବରଷ ବଢ଼ି ପ୍ରବଳ,
ଯହିଁ ଚାହିଁ ଦିଶେ ତହିଁ କେବଳ ଜଳ ।
କି କଷ୍ଟେ ଜୀବନ ତେବେ ଥିଲୁଁ ବଞ୍ଚାଇ,
ଯା ଲାଗି ବଞ୍ଚିଲୁଁ ତାଙ୍କୁ ଭୁଲିତ ନାହିଁ।
ଆମ ଲାଗି ବହିଥିଲା ତାଙ୍କରି ଲୁହ,
ନ ମାନିଲେ ମହାନଦୀ ପ୍ରବଳ ସୁଅ ।
ଆମ ଗାଆଁରେ କହନ୍ତି, ସେ ଗୋପବନ୍ଧୁ
ଥିଲେ ଏକା ଆମ ଦୁଃଖୀ ଗରିବ ବନ୍ଧୁ ।
ଥିଲେ ଅବା ଗୋପବନ୍ଧୁ ଆମ ପାଇଁକି
କରିଥାନ୍ତେ କିଛି ବାଟ, ଆଉ କାହିଁକି
ମନେ ପକାଇ ସେ କଥା ହେଉଚୁ ଘାରି ?
ହେଲେ ହେଉ ମହାନଦୀ ଆମ ଭଗାରି ।
ଆମେ ତା କୂଳରେ ଯେବେ ବାନ୍ଧିବୁଁ ବସା,
ଫେଡ଼ିବୁଁ ଆମରି ହାତେ ଆମ ଦୁର୍ଦ୍ଦଶା
ମେଘକୁ ଅନାଇ ମନେ ମନେ ପାଞ୍ଚଇ,
ବଡ଼ ହେଲେ ଗୋପବନ୍ଧୁ ହେବି ବାଞ୍ଛଇ ।
କକା ଭଳି ନ ଯଦି ମୁଁ କରି ବିଦେଶ,
ପାଞ୍ଚ, ଦଶଟି ଟଙ୍କାରେ ଜୀବନ ଶେଷ ।
ବଢ଼ି ଲାଗି ଯା’ ଦିଶିବ ବାଟ କରିବି,
ଲାଟ କିଲଟର ସଙ୍ଗେ ନିଶ୍ଚେ ଲଢ଼ିବି ।
ରାଇଜ ଲୋକଙ୍କୁ ମେଳି କରିବ ଆଣି
ଆମ ଦୁଃଖ କଥା ତାଙ୍କ ଆଗେ ବଖାଣି ।
କହ କି ଉପାୟ କର ଭାଇ ସକଳ,
ନୋହିଲେ ଜୀବନ ଘେନି ହେଲୁଁ ବିକଳ ।
ଲକ୍ଷ ଲକ୍ଷ ତୁମ ଭାଇ ତେଜିଲୁଁ ପ୍ରାଣ,
ତୁମେ ଆମ ସାହା, ରୋଧ ଏ ସୁଅ ଟାଣ ।
ରାଇଜଯାକରେ ଏତେ ମଣିଷ ଥାଇ
ଆମ ଗୁହାରି କେହି କି ଶୁଣିବେ ନାହିଁ ?
ଶୁଣନ୍ତୁ ନ ଶୁଣନ୍ତୁ କେ, ହାତେ ଆମର
ଫେଡ଼ିବୁଁ ଦୁର୍ଦ୍ଦଶା ଯେତେ କରିଚୁଁ ଘର ।
ମହାନଦୀ କୂଳେ ତେବେ ଆପଣା ସୁଖେ
ବହିଯିବ ବଢ଼ିପାଣି ସମୁଦ୍ର ମୁଖେ ।
ଲକ୍ଷ ଲକ୍ଷ ଓଡ଼ିଆ ବୋହୂ କ’ଣ ଏହିପରି ନିଃସଙ୍ଗ ନିରାଶ୍ରୟ ହୋଇ କାନ୍ଦୁନାହାନ୍ତି ? ଏମାନଙ୍କ ମଧ୍ୟରୁ କ’ଣ ଅନେକ ଘରୁ ବାହାରିଯାଇ ପତିତା ହେବେ ନାହିଁ ? ଏମାନଙ୍କ ପାଇଁ ଉପାୟ କ’ଣ ?
କୁନ୍ତଳାକୁମାରୀ
ଆଜି ଯେ ମଉଚ୍ଛବ, |
ଆଜି ଗୁଣ୍ଡିଚା ଯାତ, |
ସଜ ହୁଅ ମାଳତୀ ! |
ଡାକିଲାଣି ସଙ୍ଗାତ । |
କିନ୍ତୁ ମାଳତୀ ମୁହିଁ |
ମୋର ପୋଡ଼ା କପାଳ |
ସୁଖ ମୁଁ ନ ଜାଣଇ, |
କାନ୍ଦେ ସଞ୍ଜ ସକାଳ । |
ମୋ ସଙ୍ଗେ କାନ୍ଦେ |
ମୋର ଶାଶୁଟି ନିରିମାଖୀ, |
ଭାବନାରେ ଶଶୁର |
ଶେଯେ ଗଲେଣି ଲାଖି । |
ଆସେ ଯେବେ ଘରକୁ |
କେବେ ନଣନ୍ଦ ଦୁଲୀ |
ଭାଇ ସକାଶେ କାନ୍ଦି |
ମୁହଁଟି ଯାଏ ଫୁଲି । |
ମାଆ ମୋର ମଲାଣି |
ମୋ’ ଲାଗି ଭାଳି ଭାଳି, |
ବାପା ମୋର ବସିଚି |
ଛାତିରେ ଚିତା ଜାଳି । |
ହେଲା ପାଞ୍ଚ ବରଷ |
ଆସି କଲଣି ଘର, |
ପାଞ୍ଚଦିନ ପାଇଁକି |
ନ ରହିଲେ ସଙ୍ଗର । |
କି’ କରିବୁଁ ଆମେତ |
ହେଲୁଁ କରମହୀନ, |
ଦିନୁ ଦିନୁ ଶଶୁର |
ଦୃଷ୍ଟି ହୋଇଲା କ୍ଷୀଣ । |
ବିଲବାଡ଼ିର ଧାନ |
ଦଶ କୁଟୁମ୍ୱ ପାଇଁ |
ହେଲା ନଅଣ୍ଟ ପୁଣି |
କରଜ ଶୁଝା ନାହିଁ । |
ଛୋଟ ଛୋଟ ଦିଅର |
ପଢ଼ନ୍ତି ଚାହାଳୀରେ, |
ଛୋଟ ଛୋଟ ନଣନ୍ଦ |
ବୁଲୁଥାନ୍ତି ସାହିରେ । |
ବଡ଼ ଶଶୁରଙ୍କର |
ହୋଇଗଲାଣି କାଳ, |
ବିଧବା ବଡ଼ ମାଆ |
କୁଟୁମ୍ୱର ଜଞ୍ଜାଳ । |
ଘରେ ଦଶ ପରାଣୀ, |
ଏକା ପୋଷଣାହାରୀ |
ଗାଆଁରେ ଧନ୍ଦା ନାହିଁ |
ଦେଶୁଁ ଗଲେ ବାହାରି । |
ଗଲାବେଳେ କହିଲେ, |
ବହୁ ଧନ ଅର୍ଜ୍ଜିବି, |
ନ କାନ୍ଦ ଧନ ମୋର |
ନିତ ଭାଷା ଲେଖିବି । |
ପଠାଉଥିବ ମୋତେ |
ଘର ଶୁଭ ବାରତା, |
ଜଗନ୍ନାଥ ଭରସା |
ଏକା ଆମ କରତା । |
ଏତକେ କହି ଦିନେ |
ସଞ୍ଜ ଗାଡ଼ିରେ ବସି |
ଗଲେ ଚାଲି ବିଦେଶ |
ରହିଲି ମୁଁ ତରଷି । |
ଟଙ୍କା ଲାଗି ମୋ ନାଥ |
ଗଲେ ବିଦେଶ କରି |
ମୋତେ ଲାଗେ ସ୍ୱପନ |
ବଞ୍ଚିବି ମୁଁ କିପରି ! |
ମାସେ ଦି’ ଖଣ୍ଡ ଭାଷା |
ଆସୁଥିଲା ପହିଲେ, |
ଟଙ୍କା ପାଇ ଶଶୁର |
ଦେ’ଣା କିଛି ଶୁଝିଲେ । |
ଏବେ ଦୁଇ ବରଷ |
ପାଖ ପାଖ ହେଲାଣି, |
ଡାକକୁ ଚାହିଁ ଚାହିଁ |
ଆଖିପାଣି ମଲାଣି । |
କୁଆଡ଼େ ଗଲେ ତାଙ୍କ |
ଆଦରର ମାଣିକ, |
ଶାଶୁ କାନ୍ଦି କହନ୍ତି |
କରମକୁ ମୋ ଧିକ । |
ଦୂର ବରମା ଦେଶ |
ପରୀରାଇଜ ପରା, |
କେ ଭୁଲାଇ ରଖିଲା |
ଦୁଃଖୀ-ରଙ୍କପସରା ? |
ବରମା ନାମ ଶୁଣି |
ଛାତି ମୋ ଦକଦକ, |
ବୁଢ଼ୀ ବାହୁନୁଥାନ୍ତି |
ପୁଅ ଗୁଣ ଯେତକ । |
ଉଠି ବଡ଼ିସକାଳୁ |
ନିତି ଦାଣ୍ଡ ଦୁଆରେ |
ଡାକ ହରକରାକୁ |
ଚାହିଁଥାନ୍ତି ଆଶାରେ |
ଗଲେ ସେ ବାଟ ଦେଇ |
ଡାକ ପକାନ୍ତି, ‘ପୁଅ, |
ଅଛି କି ଭାଷା’ କହି |
ଆଖିରୁ ଗଡ଼େ ଲୁହ । |
କବାଟ ପଛଆଡ଼ୁ |
ଚାହିଁଥାଏ କାତରେ, |
‘କିଛି ନାହିଁ’ ଶୁଣିଲେ |
କୋହରେ ଲୁହ ଝରେ । |
ବରମା ଦେଶ କଥା |
କରଇ କଳପନା, |
ସପନେ ଦେଖେଁ ସେତ |
ମାୟାପୁରୀ ରଚନା । |
ତହିଁ ବିଦ୍ୟାସୁନ୍ଦରୀ |
ନାରୀମାନେ ମୋହିନୀ, |
ମୋ କାନ୍ତ ତାଙ୍କ ବଶେ, |
ମରେ ମୁଁ ଅଭାଗିନୀ । |
ତାଙ୍କୁ ଧ୍ୟାଇ ମନରେ |
ଆଉ କି ଏ ଜୀବନେ |
ନ ହେବ ଦରଶନ, |
କାନ୍ଦି ନିନ୍ଦେ କରମେ । |
ହୋଇ ବିକଳ କାକ |
ମୁଖେ ଅଧାର ଥୋଇ |
କହେଁ, ଶୁଭ ବାରତା |
ଦେଇଯା କାକପୋଇ ! |
ଉଡ଼ିଯା ସେ ଦେଶକୁ |
ଯହିଁ ମୋ ପ୍ରାଣକାନ୍ତ |
ସାତ ସମୁଦ୍ର ପାରି, |
ତହିଁ ଯାଇ ଏକାନ୍ତ |
କହିବୁ ତାଙ୍କ ଆଗେ |
ମୋ ଦୁଃଖ ରାଶିରାଶି, |
ନ ପାଇଲେ ବାରତା |
ପ୍ରାଣ ଦେବିଟି ଝାସି |
କୂଅ ପୋଖରୀ ଜଳେ, |
ନୋହି ମୋ’ ପ୍ରତି ବାମ |
ଉଡ଼ିଯା’ରେ ବାୟସ |
ଯହିଁ ମୋ ପ୍ରାଣାରାମ |
ଅଛନ୍ତି ମୋତେ ଭୁଲି |
ତୁ ଗଲେ ଅବା ମିତ |
ମନେ ପଡ଼ିବ ମୋତେ |
ମୋର ବ୍ୟାକୁଳ ଚିତ୍ତ ।’ |
କାହିଁରେ ଶାନ୍ତି ନାହିଁ, |
ଶାଶୁ ନାହାକ ଡାକି |
ପକାନ୍ତି ଖଡ଼ି, ମୁଁ ତ |
ଦୁଆର ପଛେ ଟାକି |
କାନ ଡେରି ଶୁଣଇ |
ପ୍ରଶ୍ନ ଉତ୍ତରତକ, |
ସବୁ ମିଛ ହୁଅଇ |
ନାହାକଗୁଡ଼ା ଠକ । |
ଶାଶୁ ବାର ବରତ |
କରନ୍ତି ପୁଅ ଆଶେ, |
ମଙ୍ଗଳ ମନାସନ୍ତି |
କେତେ ଦେବତା ପାଶେ । |
ଦେଖନ୍ତି ସପନରେ |
ପୁଅ ଫେରିଚି ଘର |
କାହିଁ କିଏ ଫେରିଲା । |
ଆଖି ମୋ ଝରଝର। |
ଦିନେ ମୋ କପାଳରେ |
ନୋହିଲା ସ୍ୱାମୀସୁଖ, |
ବାଳୁତକାଳୁ ବିହି |
ଦେଲା ଦାରୁଣ ଦୁଃଖ |
ମୁଁ ଯାକୁ ଏତେ ମନେ |
କରୁଛି ନିଶିଦିନ, |
ଯା’ ଲାଗି କାନ୍ଦି କାନ୍ଦି |
ତନୁ ନୟନ କ୍ଷୀଣ, |
ସେ ଭଲା ଦିନେ ମୋତେ |
କରୁଥାନ୍ତା ମନରେ, |
କାହିଁ ଦୂର ବିଦେଶେ |
ରହିଲା ମଉଜରେ । |
ଆଜି ମେଳା ଉତ୍ସବ, |
କାହିଁ ତହିଁ ହରଷ ? |
ନିଆଶ୍ରୀ ନିଃସଙ୍ଗ ମୁଁ |
କାଟେ ଯୁବା ବୟସ । |
ମିଛେ ମିଛେ ସିନା ମୁଁ |
ହାତେ କାଚ ନାଇଚି, |
ବିଧବାରୁ ହୀନ ମୁଁ |
ସଧବା ବୋଲାଇଚି । |
ଘରେ ପିଠାପଣାଟି |
ହେଲେ ମୋତେ ନରୁଚେ, |
ପରଷି ସଭିଙ୍କି ମୁଁ |
ନିଜ କଥା ମୁରୁଛେ । |
ଆଖି ପୋଛି ରୋଷାଇ |
ଶାଳେ କଂସାରୁ ଧରି |
ଭାବେଁ ବିଦେଶେ ଏକା |
ଥିବେ ଅବା କିପରି ? |
କିଏ ବା ରାନ୍ଧିବାଢ଼ି |
ଥାଳୀ ପରଷୁଥିବ, |
ଶେଯ ମସିଣା ପାରି |
ପାଦସେବା କରିବ ? |
ଦେହ ପାଆକୁ ଜଗି |
ଦେଖା ଶୁଣା କରିବ, |
ମନ ବୁଝି କିଏସେ |
ପଦେ କଥା କହିବ ? |
ପୋଡ଼ିଯାଉ ମୋ ଖିଆ, |
ମୁଁ ତ ହୀନିକପାଳୀ, |
‘ହତଶ୍ରୀ ଅଲକ୍ଷଣୀ’ |
ଶାଶୁ ଦିଅନ୍ତି ଗାଳି । |
ତାଙ୍କ ଆଗରେ ପୁଣି |
କିପରି ହେବି ସଜ, |
ଯମ ଦୁଆର ଯିବା |
ତହୁଁ ବଳି ସହଜ । |
ଘର ନ ଚଳେ ଆଉ, |
ଶଶୁର ହରବର, |
ବିକି ଭାଙ୍ଗି ଖାଇଲେ |
ଯାହା ଚିଜ ପତର । |
ଯା’ ଥିଲା ଜମିବାଡ଼ି |
ବନ୍ଧା ଛନ୍ଦା ହେଲାଣି, |
ଋଣ ଖଜଣା ଲାଗି |
ମହାଜନ ନେଲାଣି । |
ହୋଇଥିଲା କରଜ |
ବିଭାବେଳେ ପୁଅର, |
ଟଙ୍କା ପଚିଶି ଏବେ |
ହେବ ଶହେ ଉପର । |
ମକଦ୍ଦମା କରିବ |
ଗରଜେ ଭୀମ ସାହୁ, |
ସହ୍ୟରୁ ବଳିଲାଣି |
ଭଗୁ ପିଆଦା ଦାଉ । |
ଦାଣ୍ଡ ଦୁଆରେ ବସି |
ଡାକେ, ‘ପଧାନ ପୁଅ, |
ଲୁଚିବ କେତେଦିନ, |
ଦାଣ୍ଡେ ଦେଖାଅ ମୁହଁ । |
ନେଲାବେଳକୁ ଟଙ୍କା |
ନେଲ ହାତ ପତାଇ, |
ଦେଲାବେଳକୁ ଏବେ |
ବସ ମୁହଁ ଶୁଖାଇ । |
ନ ଚଳିବ ଏ ପାଠ, |
ନ ଦେବ ଯଦି ଭଲେ |
ସିଧା ଆଙ୍ଗୁଠିରେ କି |
ଦେଖୁଛ ଘିଅ ଗଳେ ! |
ସଳଖିବି ସୁନ୍ଦର |
ନ ଜାଣୁ କରାମତି, |
ତେଣୁ ଏତିକି ଟାଣ, |
ରହିଛୁତୁ ବରତି ।’ |
ଟଙ୍କି ଟିକସ ଲାଗି |
ମାସେ ମାସେ ତାଗଦା, |
ମୁଠିଏ ଧାନ ନାହଁ, |
ବିଲ ପଡ଼ିଚି ପଦା । |
କି କରିମୁଁ ସର୍କାର |
କଥାକୁ ବଳ କା’ର ? |
ବିକୁଁ ଥାଳି ତାଟିଆ, |
ନାହିଁ ତ ରୋଜଗାର । |
ଧାନ କୁଟି କୁଟି ମୋ |
ଠେଙ୍ଗିଣି ଛିଡ଼ିଲାଣି, |
ଚକି ପେଶି ହାତରେ |
ବିଣ୍ଡି ପଡ଼ିଗଲାଣି । |
ନିତି ଅନ୍ଧାରୁ ଉଠି |
ବାସି ପାଇଟି ସାରେ, |
ଗୁହାଳ କାଢ଼ି ଝାଡ଼ି |
ଲାଗେ ଲିପାପୋଛାରେ । |
ଗାଧୋଇସାରି ପୁଣି |
ରୋଷାଇଶାଳେ ପଶି |
ଖଟି ଖଟି ମୋ ହାଡ଼ |
ମାଉଁସ ଗଲା ଖସି । |
ଘରେ ଭରା କୁଟୁମ୍ୱ |
ସମସ୍ତଙ୍କ ଅର୍ଦ୍ଦଳି |
ସହି ସହି ଦେହରେ |
ରକତ ଗଲା ଜଳି । |
କେତେ ଗେଲବସର |
ଥିଲିଟି ବାପଘରେ, |
ଆଜି ଏ ହାଡ଼ଭଙ୍ଗା |
ଖଟଣୀ କପାଳରେ । |
ଦେଖନ୍ତା ଯେ ମୋ ଦୁଃଖ, |
ବାଧନ୍ତା ଯା ଦେହକୁ |
ସେ କାହିଁ ଦୂର ଦେଶେ, |
କାନ୍ଦେ ନିନ୍ଦି ଭାଗ୍ୟକୁ । |
ବାଧିବ ବା କାହାକୁ |
କହିଲେ ମୋ କାହାଣୀ ? |
ଶାଶୁ କହନ୍ତି, ‘‘ଆମେ |
କରୁଁ ପଥର ପାଣି, |
ତୋ ଭଳି ଯୁବା ଗଣ୍ଡି |
ବହି ତୁ ଅଳସେଈ |
ପାଇଟି ଲାଗି ଅଛୁ |
ମୋ ହାତକୁ ଅନେଇ ! |
ରାଣୀ ରାଉତାଣୀକି |
ଖଞ୍ଜି ଖଟ ପଲଙ୍କ |
ବସି ପୂଜା କରିବି |
କିଲୋ ମୁଁ ଦୁଃଖୀରଙ୍କ ! |
ରାଣୀ ଯା କରମରେ |
ହୋଇଥାନ୍ତୁ ଅଭାଗୀ, |
ସେ କାହିଁ ରହିଲା |
ପୋଡ଼ାମୁହାଁ କି ତ୍ୟାଗି । |
ଲକ୍ଷ୍ମୀ ଗଲେଣି ଛାଡ଼ି |
ପଡ଼ିଲା ଦିନୁ ପାଦ, |
ଅର୍କ୍ଷିତ ଘର ଝିଅ |
କାହିଁରେ କରୁ ସାଧ ? |
ବୁଡ଼ାଇଲୁ ମୋ ଘର, |
ଶୁଣି ଫେରାଇ ମୁହଁ |
କାନ୍ଦେଁ ତୁନିତୁନିକା |
ପଣନ୍ତେ ପୋଛି ଲୁହ । |
କେତେ ନିଶା ରାତିରେ |
ଚେଇଁ ମୁଁ ପଡ଼ିଥାଏଁ |
ତତଲା ଆଖି ପାଣି |
ଶେଯ ମାଣ୍ଡି ତିନ୍ତାଏ । |
ହାୟ ମୋ ଯୁବାକାଳ |
କାଟିବି ମୁଁ କିପରି, |
ବରଜି ଗଲେ କାନ୍ତ |
ମୁଁ ଯେ ଗଲିଣି ସରି । |
ଲାଞ୍ଛନା ଗଞ୍ଜଣାରେ |
କରି ବାର ପାଇଟି |
ଦିନ ଯାଉଚି କଟି, |
କାଳ କିନ୍ତୁ ରାତିଟି । |
ଏକୁଟିଆ ଶେଯରେ |
ହୁଅଇଁ ଛଟପଟ, |
କବେ ତାରା ଗଣଇଁ |
ଖୋଲି ଝଟକାପଟ । |
ସାଇଁ ସାଇଁ ଗଭୀର |
ନିଶା ଗରଜୁଥାଏ, |
ସହସା ରେଳଗାଡ଼ି |
ଶବଦ ବାଜିଯାଏ |
କାନରେ କେବେ ମୋର |
ନିଶବଦ ରାତିରେ, |
ଛନକା ପଶିଯାଏ |
ଚମକି ମୋ ଛାତିରେ । |
ଜାକିଜୁକି ବୁଜୁଳା |
ଭଳି ମୁଁ ପଡ଼ିଥାଏ, |
ଦୁଇ ହାତ ପାପୁଲି |
ଆଖି ଚାପିପକାଏ । |
ସବୁ ବଳ ଏକାଠି |
କରି ଅବା ଗମ୍ଭୀରେ |
ଶୁଣେ ମୁଁ କାନ ପାରି, |
ସତେ କେ ଆସେ ଧୀରେ, |
ଶଗଡ଼ରୁ ଓହ୍ଳାଇ |
ଡାକେ ଦାଣ୍ଡେ ଦୁଆରେ, |
‘ମାଆ’ ବୋଲି ଶବଦ, |
ଉଠି ମୁଁ କାନ ପାରେ । |
ଶାଶୁର କେବେ କେବେ |
ଦିଏ ନିଦ ଭଙ୍ଗାଇ, |
‘କେ ଡାକୁଛି ଦୁଆରେ |
ଦେଖନା ଥରେ ଯାଇ’ । |
ଶାଶୁ ଉଠି ଆବେଗେ |
ଧାଆନ୍ତି ବାହାରକୁ, |
କାହିଁ କେହି ନାହାନ୍ତି, |
ଫେରିଆସି ଘରକୁ |
ମୋତେ ଦିଅନ୍ତି ଗାଳି, |
ମୁଁ ତୁନି ତୁନି ଶୁଣେ, |
ମୋ ବାୟାପଣ କଥା |
ବିକଳେ ମନେ ଗୁଣେ । |
ସିନ୍ଦୁର କଜ୍ୱଳେ ମୋ |
ନାହିଁ ମନର ସାଦ, |
ନୂଆ ଲୁଗା ଚୂଡ଼ୀରେ |
ନାହିଁ କିଛି ଆହ୍ଲାଦ । |
କାହାପାଇଁ ବା ସାଜ |
ସଜ୍ଜା କରିବି ବସି, |
ନାହିଁ ତ ଗରେ ଯେ ମୋ |
ସୌନ୍ଦର୍ଯ୍ୟ ପଣେ ରସି |
ଦିଅନ୍ତା ଆଣି ମୋତେ |
ନିତି ନୂଆ ଭୁଷଣ, |
ଭୁଆସୁଣୀ ମୁଁ ସ୍ୱାମୀ- |
ହୀନା, ମୋ କଷଣ |
କିଏ ବୁଝିବ କେତେ |
ଦୁଃଖ ଦାଉ ସହୁଚି, |
କେତେ ଦୁଷ୍ଟଙ୍କଠାରୁ |
ନିଜ ଧର୍ମ ରଖୁଚି । |
ଦିଅର ନବଘନ |
ବଡ଼ ଚଗଲା ଟୋକା, |
ତା’ ସାଙ୍ଗ ବଗୁଲିଆ |
ରାଧୁ, ଗୋବିନ୍ଦା ଲୋକା । |
ତାଙ୍କ ଜାଳାରେ ମୋର |
ଜୀବନ କଳବଲ, |
ଦୈବ ସାହା ଅର୍କ୍ଷିତେ |
ଏତିକି ମୋର ବଳ । |
ମୋହ ଭଳି ଗାଆଁରେ |
କେତେ ବୋହୂ ଅନାଥ, |
ନିନ୍ଦନ୍ତି ବିଧାତାକୁ |
କପାଳେ ମାରି ହାତ । |
ଗାଧୋଇଗଲେ ତୁଠେ |
କହୁଁ ଅନେକ କଥା, |
ଲଘୁ ହୁଏତ ବହୁତ |
ଫେଡ଼ି ହୃଦୟ ବ୍ୟଥା । |
ଶାଶୁର ଅତ୍ୟାଚାର, |
କୁଟୁମ୍ୱଙ୍କ ଗଞ୍ଜଣା, |
ଦିନରାତି ଖଟଣୀ, |
ତୁନି ତୁନି କାନ୍ଦଣା, |
ସବୁ କଥା ପଡ଼ଇ, |
ହୁଏ କେତେ ବିଚାର, |
ସ୍ୱାମୀ ସଙ୍ଗରେ ଗଲେ |
କୁଳୁଁ କିପାଁ ବାହାର |
ହୋଇଲୁଁ, ଏ କି ଶାସ୍ତ୍ର |
ଏ କି ବ୍ୟବସ୍ଥା ଭଲା, |
ଆମ ପାଇଁକି ଏତେ |
ଅବିଧି କିଏ କଲା ? |
ଏକା ଯାଆନ୍ତି ସ୍ୱାମୀ |
ଆମକୁ ଛାଡ଼ି ଘରେ, |
ଭୁଲିଯାଆନ୍ତି ସେଠି |
ପଡ଼ି ମନ୍ଦ ସଙ୍ଗରେ |
ଆମେ ଥିଲେ ପାଖରେ |
ଦେଶ ଦଶର ଭଲ, |
ଏ କଥା ବୁଝିବାକୁ |
ନାହିଁ ମୁଣ୍ଡେ ଅକଲ । |
ପଣ୍ଡିତ ଏ ବୋଲାନ୍ତି |
ସ୍ତ୍ରୀ-ହତ୍ୟାକାରୀ ଯମ, |
ୟାଙ୍କ ଯୋଗୁ ହୋଇଚି |
ବାମ ଆମ କରମ । |
ଏପରି ନାନା ପାଞ୍ଚ |
ନାନା କଥା ପକାଇ |
ମନକୁ କରୁଁ ଶାନ୍ତି, |
ନୋହିଲେ ଶାନ୍ତି କାହିଁ । |
ପୁଣି ଶାଶୁ ଗାଆଁରେ |
ଅଘଟନ ଘଟନା, |
ସହି ନ ପାରି ଦୁଃଖ |
କୁଟୁମ୍ୱଙ୍କ ଲାଞ୍ଛନା |
କେତେ ବୋହୂ ଗଲେଣି |
ତେଜି ଲାଜ ସରମ, |
କେଉଁ ଦୂର ମୂଳକ |
ଦାଣ୍ଡେ ବିକି ଧରମ । |
ଶାଶୁ ଶୁଣି ବିକଳେ |
କହନ୍ତି ଗୁପତରେ, |
‘ଲାଜ ରଖିବୁ ମାଆ, |
ନ ଯଦି ବିପଥରେ । |
କାଲି ପରି ଘରକୁ |
ଫେରି ଆସିବ ଦାମ, |
କପାଳ ଆଦରି ଥା |
ପଡ଼ିଲା କା’ ଶିକ୍ଷାରେ, |
ଘରେ ମାଆ ବୁଢ଼ୀଟା |
ମଲାଣି ଅପେକ୍ଷାରେ । |
ତଥାପି ଜଗନ୍ନାଥେ |
ଶୁଣିବେ ମୋ ମାଗୁଣି, |
ଫେରି ଆସିବ ଧନ, |
ରହିଥା ଗୁଣ ଗୁଣି ।’ |
ଗୁଣ ଗୁଣି ରହିଚି, |
ରହିଥିବି ମୁକର, |
ସହି ସହି ଦେହଟା |
ହୋଇଯିବ ପଥର । |
ମୁଁ ଅନେକ ଚାକିରି ଚାକିରି ଖୋଳି ହଇରାଣ ହେଲି । ଶେଶରେ ମୋର କିଛି ହେଲା ନାହିଁ । ପାଠଶାଠ ମୋର କିଛି ନଥିଲା କି କମିବାଡ଼ି ଧନସମ୍ପରି ମଧ୍ୟ ବେଶି କିଛି ନ ଥିଲା । ଏଣେ ଘରେ । ପାଞ୍ଚପ୍ରାଣୀ କୁଟୁମ୍ବ । ବାଧ୍ୟ ହୋଇ ମୁଁ କଲିକତା ଗଲି । ସେଠି ଗୋଟିଏ ମିଲ୍ରେ ଚାକିରି କଲି । ଚାକିରି କରିବାର ପ୍ରାୟ ଚାରି ବର୍ଷ ହୋଇଗଲାଣି । କଲିକତାର ପରିବାରହୀନ ଜୀବନରେ ଯାହା ଘଟେ ତା' ମୋ ଜୀବନରେ ମଧ୍ୟ ଘଟିଲା । ମୁଁ ନିଶାବେଶ୍ୟାର ଦାସ ହେଲି ।
ଦିନେ ହଠାତ ଗୋଟିଏ ନୂଆ ସ୍ଥାନକୁ ମୁଁ ଯାଇଥିଲି । ସ୍ତ୍ରୀଟି ବେଶ୍ୟା; କିନ୍ତୁ ତାକୁ ଦେଖି ମୁଁ ଚମକି ଗଲି । ସେ ତ ମୋ ମାଉସୀ ଝିଅ ଭଉଣୀ ଚେମୀ; ସେ ଏଠି ! ମୋର ମଥା ଘୂରିଗଲା, ଜ୍ଞାନ ହଜିଗଲା । ଘରକୁ ଯାଇ କେତେ ରାତି କେତେ ଦିନ ବହୁତ ଭାବିଲି ତା’ର ଦୁର୍ଦ୍ଦଶାର କଥା । ସେ ମୋତେ ବିହିଲା, ଗୁପ୍ତରେ ସବୁ କହିଲା, ସେ ନର୍କକୁଣ୍ଡରେ ପଡ଼ି ଘାଣ୍ଟିହଉଚି । ତା’ର ଇଚ୍ଛା ଏ ନର୍କରୁ ତ୍ରାହି ପାଆନ୍ତି । କିନ୍ତୁ ଉପାୟ ? ମୋ କତିରେ ତ କିଛି ଉପାୟ ନାହିଁ । ସେ ଅଜାତି, କୁଳଟା; ସମାଜ ତାକୁ ଗ୍ରହଣ କରିପାରିବ ନାହିଁ । ତା’ଠି କୌଣସି ଏପରି ବିଦ୍ୟା, ଜ୍ଞାନ ନାହିଁ ଯେ ସେ ଭଲରେ ଥାଇ ନିଜର ପେଟ ପାଳିପାରିବ । ହିନ୍ଦୁ ସମାଜରେ ତା ପାଇଁ ସ୍ଥାନ ନାହିଁ । ହତଭାଗିନୀ ଚେମୀର ଉଦ୍ଧାରର ଉପାୟ କ’ଣ କେହି କହିଦେବେ କି ? ।
ଭଉଣୀ ! ଜନ୍ମ ମୋର ଆଜି ମୁଲକେ,
ବାପ ଅଜା ମୋ ଶ୍ରେଷ୍ଠ ଜାତି ପାଟକେ ।
ନାଆଁ ମୋର ସୁନ୍ଦର ଦେବକୀ ମଣି,
ଭାଇ ଡାକେ ମଇନା, ମା ଡାକେ ବଣି ।
କିଏ ଡାକେ ଦୁଲଣା, ଚମ୍ପା, ମାଳତୀ,
ରୂପ ଅନ୍ଧାର ଘରେ ଜାଳିବ ବତୀ ।
ରୂପ ଗୁଣ ସୁନ୍ଦର, ଗେଲବସରରେ
ବିଭା ଦେଲେ ହରଷେ ବାର ବର୍ଷରେ ।
ଶାଶୁଘର ଉତ୍ତମ ଧନ ଦରବେ,
ବିଭାଘର ହୋଇଲା କି ମଉଚ୍ଛବେ ।
ସୁନା ରୂପାର ଚାରୁ ଭୁଷଣମାନ
ଖଞ୍ଜି ସର୍ବାଙ୍ଗେ ମୋତେ କରିଲେ ଦାନ ।
ସଙ୍ଗେ ଦେଲେ ଯୌତୁକ ନାନା ସମ୍ଭାର,
ପୂରିଲା ଶାଶୂଘର ଭାରକୁ ଭାର ।
ଶାଶୁ ମୋର ହୀରାଟି, ନଣନ୍ଦ ସୁନା,
ଦିଅରଟି ମାଣିକ କି ଗୁଣେ ଊଣା ।
ପାଞ୍ଚ ପଞ୍ଚୁରେ ବସି ଗାଆଁ ଖଣ୍ଡର
ଶଶୁର ନାଆଁ ଟେକ, କି ବଡ଼ ଘର ।
ତହୁଁ ପୁଣି ଯା ହାତ ଧରିଲି ସେହି,
ସରି ହେବ ତା’ ସଙ୍ଗେ ଦେବତା କେହି ?
ରୂପେ ଗୁଣେ ଉତ୍ତମ ଚାଲି ଚଳଣେ,
ପୁଅ ମଧ୍ୟରେ ରାମଚନ୍ଦ୍ର କି ଜଣେ !
ଏପରି ଘର ବର ପାଇ ହରଷେ
ସୁଖେ କଟିଲା ଦିନ, ଚାରି ବରଷେ
ହେଲେ ଦୁଇଟି ପୁଅ ଝିଅ ସୁନ୍ଦର,
ତାଙ୍କ କଳରୋଳରେ ପୂରିଲା ଘର ।
ଏ ସମୟେ ଗାଆଁକୁ ଆସିଲା ସ୍ୱାଇଁ
କଲିକତାରୁ ବହୁତ ଟଙ୍କା କମାଇ ।
ଦରମା ଯିବ ବୋଲି କହିଲା ସେହି,
ମୋ ସ୍ୱାମୀ ସାଙ୍ଗ ତା’ର ସାଥିରେ ନେଇ-
ଯିବ ତାଙ୍କୁ, ଶୁଣନ୍ତେ ହେଲା ମୋ ଡର,
ମୁଁ କହେ କିପାଁ ତୁମେ ଛାଡ଼ିବ ଘର ?
ଘରେ ଅଭାବ କିସ ଧନଦ୍ରବ୍ୟରେ,
କହିଲେ, ନଈବାଲି ଖାଇଲେ ସରେ
ବସି ବସି ଅଳସେ, ହେଲା ବୟସ,
ବିଦେଶେ ଗଲେ କଥା ଶିଖିବି ଦଶ ।
ଟଙ୍କା କମାଇ ଘର ଧନ ବଢ଼ିବ,
ଏଠି ବସି ରହିଲେ ମୂଳରୁ ଯିବ ।
କେଡ଼େ ଗରିବ ପୁଅ ସ୍ୱାଇଁ ଦେଖିଲ,
ଘରେ ନଥିଲା ଚାଳ, ମାଣେଟି ବିଲ ।
ବଡ଼ କଷ୍ଟେ ଚଳନ୍ତି, ଆସି ଏଥର
କଲା ସେ ପକ୍କା କୋଠା, ପୁଣି ପନ୍ଦର
ମାଣ ଜମି କିଣିଲା, ମୁଁ ବସି ଘରେ
ଖାଉଛ ବାପ ଧନ କେଉଁ ମୁହଁରେ !
ବଢ଼ିଲା ପରିବାର, ମୁଁ ରୋଜଗାର
ନ କଲେ ସମ୍ଭାଳିବ କେ ଘର ଭାର ?
ସତ ତାଙ୍କ କଥାକୁ ଅକାଳ ଦାଉ
ଘୋଟିଲା ସେ ବରଷ ଦଣ୍ଡକେ ଚାହୁଁ ।
ଠିଆ କ୍ଷେତ ମରୁଡ଼ି, ଉଡ଼ିଲା ହଂସା
ଫସଲ ନାଶ ଦେଖିକାନ୍ଦିଲେ ଚବା ।
ଏହିପରି ବରଷ ତିନି ମରୁଡ଼ି
ହେଲାରୁ ସରେ ସଞ୍ଚା ଧାନ କଉଡ଼ି ।
ଘରର ଦଶା ଦେଖି ଗଲେ ବିଦେଶ
ଟଙ୍କା ଅର୍ଜ୍ଜିବା ଆଶେ, ମୋ ମନ କ୍ଳେଶ
କେ ବୁଝିବ ଜଗତେ, ସ୍ୱାମୀକୁ ଛାଡ଼ି
କପାଳେ ଦୁଃଖ ମୋର ଆସିଲା ମାଡ଼ି ।
ସେ ଗଲେ ଘରୁ ଏଣେ ମଲେ ଶ୍ୱଶୁର,
କ୍ଷେତ ଛଡ଼ାଇନେଲେ ଖୁଡ଼ୁତାଶୁର ।
ଘରେ କେହି ମୁରବି ରହିଲେ ନାହିଁ,
ଭଗାରି ହେଲେ ନିଜକୁଟୁମ୍ୱ ଭାଇ ।
ତହିଁ ସଙ୍ଗରେ ପୁଣି ବିଧାତା ବାମ,
ନଈରେ ବୁଡ଼ି ମଲା ଦିଅର ରାମ ।
ତା ଶୋକେ ଶାଶୁ ମୋର ଘେନିଲେ ମାଟି,
ଏଥର ଆଶ୍ରାହୀନ ଏକୁଟିଆଟି
ପଡ଼ିଥାଏ ମୋ ଘରେ ବାର ଦୁଃଖରେ,
ସ୍ୱାମୀ କାହିଁ ଥାଆନ୍ତି ବର୍ମାଦେଶରେ ।
ଲେଖିପଢ଼ି ନ ଆସେ ମୁଁ ନିରକ୍ଷର,
ଭଗାରି ନ ଦିଅନ୍ତି ଭାଷା ପତର ।
ତାଙ୍କ ଖବର ଆଉ ପାଇଲି ନାହିଁ,
ପାଳେ ପିଲା ଦିଓଟି ନିଜେ ନ ଖାଇ ।
ଯା ଥିଲା ଘରେ କ୍ରମେ ଆସିଲା ସରି,
ଚିନ୍ତାରେ ପଡ଼ିଲି ମୁଁ କତରା ଧରି ।
କାନ୍ଦି କାନ୍ଦି ମୋହର ରହିଲା କଣ୍ଟା,
ବାତ ବ୍ୟାଧିରେ ନଇଁ ପଡ଼ିଲା ଅଣ୍ଟା ।
ସେ ବରଷ ହେଲାଟି ଘୋର ବରଷା,
ବରଷା ପଛେ ବଢ଼ି କି କାଳ ଦଶା ।
ବଢ଼ି ଛାଡ଼ୁ ନ ଛାଡ଼ୁ ପଡ଼ିଲା ବାଡ଼ି,
ଅକାଳେ ଗଲେ କେତେ ସଂସାର ଛାଡ଼ି ।
କେତେ ମାଆ ମଙ୍ଗଳା ଦେବତା ଦିଅଁ
ପୂଜି ପାଇଥିଲି ସେ ପୁଅ ଝିଅ ।
ଅକାଳେ ନେଲା କାଳ ମୋ ଆଖିଆଗେ,
ମରୁ ମରୁ ମୁଁ ବଞ୍ଚିଗଲି ଦୁର୍ଭାଗ୍ୟେ ।
କେତେ ଭୋଗ କପାଳେ ଅଛି ଲେଖନ,
ଘୃଣାରେ ଅବା ଛୁଇଁ ନ ଗଲା ଯମ ।
ସମସ୍ତେ ଗଲେ, ମୋର ଅକାଟ ପ୍ରାଣ,
ବଞ୍ଚିଲି କେମନ୍ତେ ମୁଁ କେଡ଼େ ପାଷାଣ !
ତିନିଦିନ ଅଚେତା, ନ ଗଳେ ପାଣି
ତଣ୍ଟିରେ, ତଥାପି ମୁଁ ବଞ୍ଚିଲି ଜାଣି ।
କପାଳରେ ହୀନସ୍ତା ଅଛି ଅନେକ,
କେ କରିପାରେ ଭିନ୍ନ କପାଳ-ଲେଖ ।
ଛ’ ମାସ କାଳ ଜରେ ପଡ଼ି ନ ମଲି,
ଶେଷେ ନିଆଶ୍ରୀ ବାପଘରକୁ ଗଲି ।
କେତେ ଦୁଃଖରେ କାନ୍ଦେ, ପେଟଟି ପୋଡ଼ା,
ଜୀବନଅଛି ଯେବେ ଆହାର ଲୋଡ଼ା,
ପୋଡ଼ା ପେଟଟି କଲା ଏତେ ହୀନସ୍ତା,
ବାପଘରେ ଫେରିବୁ କାହୁଁ ଅବସ୍ଥା ।
ନ ଥିଲେ ଗର୍ଭଧାରୀ ମୋ ବାପା ମାଆ,
କେ ବୁଝିବ ମୋ ଦୁଃଖ ଭୋଗଇ ଯାହା ।
ଘରେ ଦୁଇ ଭାଇର ଅପଡ଼ କଳି,
ଭାଉଜଙ୍କ ଜାଳାରେ ଗଲି ମୁଁ ଜଳି ।
କହନ୍ତି ‘ତୋ ପାଇଁକି ଏଠି ଭଣ୍ଡାର
ଖଞ୍ଜା ହୋଇଚି କିଲୋ ବାପମାଆର ?
ଖାଇଲୁ ଶାଶୁକୁଳ, ନିଜେ ନ ମରି
କା’କୁଳେ ଦେବୁ ପାଣି, କିଏ ତୋହରି
ଉଧାର ଖାଇଛି କି ଖାଇବୁ ବସି,
ପାଇଟି କି ନ ପାରୁ ଗୋ ଗୋଡ଼ ଘଷି ?
ଦେବୁ କି ସାଆନ୍ତାଣି ବାଢ଼ି ତୋ ଆଗେ
ଦଶ ତିଅଣ ନଅ ଭଜା ସୁଆଗେ ।
ଯାଆ ବାହାରି ଯହିଁ ଅଛି ଘଇତା,
ବିଭା ହେଲା ଝିଅ ତ କୁଳକୁ ପିତା ।’
ଭାଉଜଙ୍କ କଥାରେ ପାଟି ଫିଟାଇ
ଦିନେ ପଦେ କହନ୍ତି ନାହିଁ ଦି’ଭାଇ ।
ରୋଷେଇଶାଳଠାରୁ ଗୁହାଳଯାଏ
ସବୁ ପାଇଟି ଏକା ହାତେ ତୁଲାଏ ।
ତଥାପି କେହି ତୋଷ ନୁହନ୍ତି ଠୁଳେ,
ଛିଣ୍ଡା ଦରବା ପିନ୍ଧି କାନ୍ଦି ମୁଁ ବୁଲେ ।
ଦିନ ଦିପହରକୁ ଖାଇସାରିଲେ
ସମସ୍ତେ, ମୋତେ ଭାତଗଣ୍ଡାକ ମିଳେ ।
ହାତ ପିଠିରେ ଲୁହ ପୋଛିଣ ଖାଏ,
କେବେ ବାସି ତିଅଣ, କେବେ ନ ଥାଏ ।
କେବେ ମରିବ କସି, ପିଆଜ, ଲୁଣ
ସଙ୍ଗେ ପଖାଳ ଖାଇ ବାହୁନେ ଗୁଣ ।
ମୋ ଶାଶୁ ଶଶୁରର ପୁଣି ମାଆର
ଏଡ଼େ ଗେଲବସର ସେରନ୍ତାସାର
ଥିଲି ଆଖିପିତୁଳା, ଘରମାଣିକ,
ଆଜି ଗାଧୋଇଗଲେ ତେଲ ଟୋପିକ
ପାଇଁ ତରଷ କାନ୍ଦେ ପୋଖରୀକୂଳେ,
ମୋତେ ଯମ କିପାଇଁ ନ ନେଲୁ ତୁଲେ ?
ଦୁଇ ଭାଉଜ ମୋର ହାକିମ ପରି,
ତାଙ୍କ ବାକ୍ୟବାଣରେ ଜୀଅନ୍ତା ମରି ।
କିପରି ଏ ସଂସାରେ ଦିନ କାଟିବି,
ଏକା ଏ ପୋଖରୀରେ ବୁଡ଼ି ମରିବି ।
ପୋଖରୀ ତୁଠେ ବଡ଼ ଚକା ପଥର,
ସେଠି ବସି କାନ୍ଦଇ ସଞ୍ଜ ପହର ।
ଗୋଟି ଗୋଟି ଆକାଶେ ତାରା ଫୁଟଇ,
ଆଖିରୁ ମୋର ଲୁହ ସୁଅ ଛୁଟଇ ।
କହେ ବ୍ୟାକୁଳ ପ୍ରାଣେ ଆକାଶେ ଚାହିଁ,
‘ହେ ମହାପ୍ରଭୁ ମୋତେ ମରଣ ନାହିଁ ?
ମଣିଷ ହେଲେ ସିନା ମୋତେ ବିଚାର
ତୁମେ କିମ୍ପା ଦଣ୍ଡୁଚ ମୋତେ ଠାକୁର ?
ଏତେ ଜାଳା ମୁଁ ଆଉ କାହିଁ ସହିବି,
ନିଶ୍ଚେ ଜହରଖାଇ ପ୍ରାଣ ହାରିବି ।
ଦିନେ କାନ୍ଦୁଚି ବସି ଆସିଲା ତହିଁ
ବେଙ୍ଗ ବୁଢ଼ୀ ଗୋଧୋଇ, ମୋ କଇଁ କଇଁ
ଶୁଣି ମୋ ମୁଣ୍ଡ ଟେକି କହିଲା, ‘ଝିଅ,
କାନ୍ଦୁଚୁ କିମ୍ପା କହ, ବାଧିବ ଦିହ’ ।
ବଢ଼େ କାନ୍ଦିଲି ମୁହିଁ, ଟାଣି କୋଳକୁ
କେତେମତେ ପ୍ରବୋଧ ଦେଲା ମନକୁ ।
କହିଲା, ‘କି କଥାକୁ କାନ୍ଦୁଚୁ ରାଣୀ,
ୟାଙ୍କ ଘରେ ଏକା ତୋ ପେଜତୋରାଣି ।
ଡରୁଛୁ କିମ୍ପା ତାଙ୍କୁ, ତୋ ବାପଘର,
ପରଝିଅ ସେମାନେ, ନୋହୁ ତୁ ପର ।’
ମୁଁ କହିଲି, ‘ମାଉସୀ କହୁଚୁ ସିନା,
ମୋ ‘ଦୁଃଖ କେ କଳିବ ପ୍ରଭୁଙ୍କ ବିନା ?
ନିତି ଭାବେଁ ବିକଳେ କରିବି କିସ,
ନିଶ୍ଚେ ଜୀବ ହାରିବି ଖାଇଣ ବିଷ ।
କି ଜାଣୁ ଦୁଃଖ ମୋର ଫଟାକପାଳ,
ସ୍ୱାମୀ ଥାଉଁ ମୁଁ ରାଣ୍ଡ, ହାଡ଼କଙ୍କାଳ ।
ପରଦୁଆରେ ପଡ଼ି କଂସା ମାଜଇ,
ଖୁନ୍ଦା ଗୋଟାକେ ଗୁଣ୍ଡା ମୋଟା ଘେନଇ ।
ରାତି ପହରୁ ଉଠି କରେ ପାଇଟି,
ଖଟି ଖଟି ମଲିଣି, ଦୟା ନାହିଁଟି ।
ବୟସ କିବା ମୋର ହେବ ବାଇଶି,
ତହିଁ ଏତେ ଖଞ୍ଜଣା ଦିବସନିଶି ।
ଭଲ ଗଣ୍ଡାଏ ଖିଆ ଖଣ୍ଡେ ପିନ୍ଧାକୁ
ତରଷିଲି ଏ ବାପଘର ନାଆଁକୁ ।’
ବେଙ୍ଗ ଶୁଣି ଏ କଥା କହେ, ଦୁଲଣା
କିମ୍ପା ତୋହର ଏତେ ତୁଚ୍ଛା କାନ୍ଦଣା ।
ଅଛି ଯେ ତୋ ସ୍ୱାମୀ ରଙ୍ଗୁ ଦେଶରେ
କିମ୍ପା ନଯାଇ ତହିଁ, ୟାଙ୍କ ବଶରେ
ପାଉଚୁ ଏ କଷଣ ଏ ହୀନିମାନ,
ତୋ ଦୁଃଖ ଦେଖି ମୋର ବିକଳ ପ୍ରାଣ।’
ମନର ମତ ଜଣେ ମଣିଷ ପାଇ
ମନରୁ ବହୁ କଷ୍ଟ ଗଲା ମିଳାଇ ।
ନିତି ନିତି ସଞ୍ଜକୁ ପୋଖରୀକୂଳେ
ବସୁଁ ଆମେ ଦିଜଣ ଟଗରମୂଳେ ।
ଟଗର ଗଛ ଟଙ୍କା ଫୁଲରେ ଭରା,
ତା’ ତଳେ ବସି ମୋର ଦୁଃଖପସରା
ବାଢ଼େ ବେଙ୍ଗ ଆଗରେ, ତା’ ଆଖିପାଣି
ମିଶାଇ ମୋ ସହିତେ ସାନ୍ତ୍ୱନାବାଣୀ
କହେ କେତେ ଆଦନରେ, ଦିନେ ଶେଷକୁ
କହିଲା, ‘କିମ୍ପା ଆଉ ସବୁ କ୍ଳେଶକୁ ?
ମୋ’ ବୋଲି ଯଦି କରୁ ଆଲୋ ବାୟାଣୀ,
ଦୁଃଖ ତୋ ନାଶ ଯିବ, ହୋଇବୁ ରାଣୀ ।
ତୋ ସ୍ୱାମୀ ସଙ୍ଗେ ଭେଟ ଦେବି କରାଇ,
ମିଳାଇବି ତୋ ସଙ୍ଗେ ତାକୁ ମଣାଇ ।
ଚାଲ ତୁ ଛାଡ଼ି ଘର ମୋ ସଙ୍ଗେ ଝିଅ,
ଏଠି କିମ୍ପା ପୋଇଲୀ ପରି ତୋ ଦିହ
ଭାଙ୍ଗୁତୁ ଖଟଣୀରେ ଖଟ ପଲଙ୍କେ
ବସି ହୋଇବୁ ରାଣୀ କାଳକାଳକେ ।
କେତେ ତୋ ପାଦତଳେ ଖଟିବେ ଦାସୀ,
ଏଠି ନ ମିଳେ ବୁନ୍ଦେ ତୋରାଣି ବାସି ।’
ତା’ କଥାରେ ଚମକେ ପ୍ରାଣ ମୋହର,
ସତେ ଭେଟ ମୋ ହେବ ସ୍ୱାମୀ ସଙ୍ଗର !
ଅବିଶ୍ୱାସେ କହିଲି, ‘ଯିବି ମୁଁ କାହିଁ
କୂଳ ଭୁଆସୁଣୀଟା, ଏ କଥା ପାଇଁ
ନାହିଁ ମୋର ସାହସ, ନ ଜାଣେ ବାଟ,
ଦେଖିନାହିଁ ଦିନେ ଏ ଗାଆଁର ହାଟ ।’
ଏ କଥା ଶୁଣି ହସି କହେ ସୁଆଗେ,
‘କେଡ଼େ କଥା କହିଲା ଓଲୀ ମୋ ଆଗେ !
ତୁ ଯିବୁ ଏକ କିଲୋ, ଯିବି ସାଙ୍ଗରେ,
କିଛି କଷ୍ଟ ନୋହିବ ତୋର ବାଟରେ ।’
କିନ୍ତୁ ମୁଁ କହେ ପୁଣି, ‘ରଙ୍ଗୁନ ଦେଶ
ସାତ ସମୁଦ୍ର ପାରି, ଜଗତ ଶେଷ ।
ଆମେ ମାଇପୀ ଲୋକ କେଉଁ ସାହସେ
ଯିବୁଁ ସେ ଦେଶକୁ ମୋ’ ମନେ ନ ପଶେ ।’
ତୋ କଥା ଅଦଭୁତ କହିଲା ବୁଢ଼ୀ,
‘ତୋ’ ଭଳି ବକା ନୁହେ, ଥିଲେ କଉଡ଼ି
ଅଣ୍ଟାରେ ଯିବି ଚାଲି ବିଲାତି ବୋଲି,
ହେଇଟି ତ ରଙ୍ଗୁନ ଜାଣୁ କି ଓଲୀ !
ସାତ ସମୁଦ୍ର କଥା ଶୁଣିଚି କାନ,
କିଏ ଦେଖିଚି ବୋଲିଦେବ ପ୍ରମାଣ ?
ସାତ ସମୁଦ୍ର କଥା ଗପ କାହାଣୀ,
ମୂର୍ଖ ଲୋକଙ୍କୁ ସେ ମିଛ ଡରାଣି ।
କେ ନ ଯାଏ ବିଦେଶ, କିମ୍ପା ତୁ ଡରୁ,
ଡରୁ ବୋଲି ଏଡ଼ିକି କଷଣେ ମରୁ ।
ଯିବୁ ନ ଯିବୁ ସେ ତ ଇଚ୍ଛା ତୋହର,
ଏଠି ଥାଇ ଆଲୁଅ କରିଥା ଘର ।
ମୋ’ କଥା ନ ମାନିଲେ ପଛେ ଚେତିବୁ,
କହୁଥିଲା ବୁଢ଼ୀଟା ପଛେ ହେଜିବୁ।’
ତା’ କୂଟ କଥା ଶୁଣି ଗଲି ମୁଁ ଭୁଲି,
ଯିବା ଲାଗି ତା ସଙ୍ଗେ ହେଲି ବାଉଳି ।
ଚାଳିଆ ଘରେ ପଡ଼ି ଚାନ୍ଦକୁ ଚାହିଁ
ଭାବିଲି, ବୁଢ଼ୀ ସଙ୍ଗେ ଯିବି କି ନାହିଁ ।
କେବେ କହିଲା ମନ, ଯାଆ ତୁ ଚାଲି,
ଏଠି ଖାଉଚୁ ଏବେ କଦର୍ଯ୍ୟ ଗାଳି ।
ବିବେକ ଦିଏ ବାଧା, ଦେହ ଡରାଏ,
ଘରୁ ବାହରିଗଲେ ମହତ ଯାଏ ।
ଏପରି ଦୋ’ ଦୋ’ ପାଞ୍ଚ ହୋଇ ମନରେ
କାଟିଲି କିଛି ଦିନ ଦୁଃଖକଷ୍ଟରେ ।
ଥିଲା ସାନବୋହୂର କୋଳରେ ପରା,
ଅତି ସୁନ୍ଦର ସର୍ବେ ଡାକନ୍ତି ଲୀଳା ।
ନୀଳମଣିଟି ମୋର ଆଖିପିତୁଳୀ,
ତାକୁ କୋଳେ ନ ହେଲେ ହୁଏଁ ବାଉଳି
ତା’ ସାନ ମୁହିଁ ହସ ହସ ସୁନ୍ଦର,
ମୋ’ କପାଳକୁ ତାକୁ ଘୋଟିଲା ଜର ।
ଦିନ ଚାରିଟା ରାତି ଦିନ ଜଗିଲୁ,
ଡାକତର ବଇଦ ଓଷଦ କଲୁଁ ।
କେତେ ଝଡ଼ାଫୁଙ୍କାରେ କିଛି ନ ହେଲା,
ଯମ କଳାନିଧିକି ଛଡ଼ାଇନେଲା ।
ତା’ ମରଣ ମୋ ପାଇଁ ହୋଇଲା କାଳ,
ମୋ ଦୁଃଖେ କାନ୍ଦେ ମୁହିଁ, ପୋଡ଼ା କପାଳ ।
ସେଥିରେ ମୋତେ କୁହାଗଲା, ଡାହାଣୀ,
ଖାଇଲୁ ମୋ ପୁଅକୁ ଅର୍କ୍ଷିତିଆଣି ।
ନିଜ ପୁଅଝିଅଙ୍କୁ ପେଟେ ପକାଇ
ଏଠି ଆସିଲୁ କୂଳ ନାଶିବା ପାଇଁ ।
ଆଲୋ ଜଳଜଳିଟା ଏଠିକି ଆସି
ବାଳୁତ ପୁଅ ପ୍ରାଣ ଦେଲୁ ତୁ ଗ୍ରାସି ।
ପୂତନା ରାକ୍ଷସୀ ତୁ ଯମ ଭଉଣୀ,
ଅଲକ୍ଷଣୀ ହତଶ୍ରୀ ତୁ ନିଉଛୁଣୀ।’
ଏ କଥା ଶୁଣି ମୋର ଫାଟିଲା ଛାତି,
ବେଙ୍ଗ କଥାରେ ମନ ଉଠିଲା ମାତି ।
ନିଶ୍ଚେ ଯିବି ଛାଡ଼ି ମୁଁ ଘର ୟାଙ୍କର,
ମଣିଷ ରକ୍ତ ମାଂସ ନୁହେଁ ପଥର ।
କହିଲି ବେଙ୍ଗ ଆଗେ ସବୁ କାହାଣୀ,
ବେଳ ଜାଣି ଲୁହାରେ ଦେଲା ସେ ପାଣି ।
ଦିନ ବାର ଠିକଣା କଲା ସେ ବୁଢ଼ୀ
ନ ଥିଲା କାନିରେ ମୋ’ କାଣି କଉଡ଼ି ।
କହିଲି, ‘ମାଉସୀ ମୁଁ ସମ୍ୱଳହୀନ’
କହିଲା, ‘କିପାଇଁ ତୁ ହେଉଚୁ କ୍ଷୀଣ ?
ହେଲୁ ଧରମଝିଅ, କଟି ତୋ’ ଲାଗି
ଗଲେ ମୋ ବେକ କେଭେ ନ ଦେବି ତ୍ୟାଗି ।
ଦେଖିବୁ ଧରମର କଳିଯୁଗରେ
ମହତ ବେଙ୍ଗ କେତେ ରଖିଛି ଥରେ ।
ଆସିଲେ ସଙ୍ଗେ ମୋର ଜାଣିବୁ ଯେତେ,
ନିଜ ବଡ଼ାଇ କରି କହିବି କେତେ ?
ତା’ ଦୟା ଧର୍ମ ପୁଣି ଜାଳା ମନର
ବାଟ କଢ଼ାଇନେଲା, ଛାଡ଼ିଲି ଘର ।
ଦିନେ ଅଧରାତିରେ ପୋଖରୀକୂଳେ
ମିଳିଲୁଁ ଦୁହେଁ ଝଙ୍କା ଟଗର ମୂଳେ ।
ମନ ଛକାଉଥାଏ ପ୍ରତି ପାଦରେ,
ଛାଇ ଦେଖି ଛାତିଟା ଭୟରେ ଥରେ ।
ଚାଲି ଚାଲି ଆସିକି ରାତି ପାହିଲା,
ନଈକୂଳରେ ତହିଁ ଜଣେ ମିଳିଲା ।
ବେଙ୍ଗ କହିଲା, ତାର ଭାଇ ଧରମା,
ଆମକୁ ସଙ୍ଗେ ଘେନି ଯିବ ବରମା ।
ବଡ଼ ଯତନେ ବେଙ୍ଗ ବଡ଼ ଆଦରେ
ମୋ’ କଥା ବୁଝୁଥାଏ ପ୍ରତିକ୍ଷଣରେ ।
ନଈ ପାରି ରେଳରେ ବସି କଟକ
ପହଞ୍ଛିଗଲୁଁ ବକ୍ସିବଜାର ଛକ ।
ସେଠି ଭେଟିଲେ ଦୁଇ ଜଣ ପଠାଣ,
ନେଲେ ଯହିଁ କି ଅତି କଦର୍ଯ୍ୟ ସ୍ଥାନ ।
ପଚ ପଚ କାଦୁଅ କଂସେଇ ଗଳି,
ପ୍ରତି ଦୂଆରେ ଛଣ୍ଡା ଅଖା ଓହଳି,
କରିଚି ଅନ୍ଧାରୁଆ, ପ୍ରତି ପିଣ୍ଡାରେ
ଟୋକା ଟୋକୀ ମାଇପେ ବିଡ଼ିବଳାରେ
ଲାଗିଛନ୍ତି, ଅକଥ୍ୟ ଭାଷା ଖୋଲଟି
ଶୁଣି ଭାବିଲି ହେବ ଏ ଗୁଲିଖଟି ।
ସତକୁ ସତ ସେଠି ପରାଣ ଘରେ
ପୂରାଇଲା ସେ ବେଙ୍ଗ, ପୁଣି ମୁହଁରେ
କହିଲା, ‘ବଡ଼ ଭାଇ ପଠାଣ ଅଲି,
କାରଖାନା ପୂରିଚି ଗଳିକି ଗଳି ।
ନିତି ଶଏ ପଚାଶ ଗୋଡ଼ତଳକୁ
ଆସେ, ସେ ଜମିଦାର, ସରକାରକୁ
ଦିଏ କେତେ ଟିକସ, ଏକା ଘାଟରେ
ବାଘ ବକୁରି ପାଣି ପିଅନ୍ତି ଡରେ ।
ତା’ କଥା କାନେ ମୋର ପଶିଲା ନାହିଁ,
ହଲକ ଶୁଖିଲାଣି, ସେ ବେଙ୍ଗଚାହିଁ
ବଡ଼ ଚତୁରୀ କହେ, ‘କିମ୍ପା ତୋ ଭୟ,
ମୁଁ ଅଛି ସଙ୍ଗେ କିମ୍ପା ହେଉ ଅଥୟ ?
ଏଠି ବରମା ବାଟ ନିକଟ ପାଇଁ
ବାରମା ଯାତ୍ରୀତକ ଆସି ଓହ୍ଲାଇ
ରହନ୍ତି, ଏ ପଠାଣ ନେଇଚି ଠିକା,
ଦୂରମୁଲକ ଆମେ ଯିବୁ କି ଏକା ।’
ତା’ କଥାରେ ବିଶ୍ୱାସ ହେଲା ମୋହର,
ଦେଖିଲି ମାଇପିରେ ପୂରିଚି ଘର ।
କେଉଁ ମୁଲକୁ ଆସି ନାନା ଜାତିର
ରୁଣ୍ଡ ଏଠାରେ କରି ନପାରେଁ ସ୍ଥିର ।
ମୋତେ ଲାଗେ ଭେଳିକି, ବେଙ୍ଗକୁ କହେଁ,
ନେଇଯା ବେଗେ ଏଠୁ, ଦେହ ନ ସହେ
ଏଠି ଦଣ୍ଡେ ରହିବା, କିନ୍ତୁ ମୋ କଥା
ଶୁଣି ନ ଶୁଣି ସେ କଲା ବ୍ୟବସ୍ଥା
ମୋତେ ବିକିବା ଲାଗି, ଟଙ୍କା ପନ୍ଦର
ପଠାଣ ସଙ୍ଗେ ମୋର ଛିଡ଼ିଲା ଦର ।
ମୋ’ କାନ୍ଦ ବୋବାଳିକି ଶୁଣିଲା ନାହିଁ,
ଗଲା ବାହୁଡ଼ି ତହିଁ କି ଖରେ ଚାହିଁ ।
ଏବେ ବୁଝିଲି ମୋର ଜୀବନ ଧିକ,
କାନ୍ଥ ଆଉଜି ବସି ଭୋକେ ରାତିକ
କାନ୍ଦି କାନ୍ଦି କଟିଲା, ହେଲା ସକାଳ,
ଦେଖିଲି ଆଗେ ଛିଡ଼ା ମୂର୍ତ୍ତି କରାଳ
ପଠାଣ ମିଆଁ, ଚେତା ବୁଡ଼ିଲା ମୋର,
ଭାବିଲି, ଯମଦୂତ ନରକ ଘୋର ।
ମୋ’ ଆଡ଼କୁ ଅନଇ ପଠାଣ କହେ,
‘କାନ୍ଦିଲେ କୋରଡ଼ାରେ ମାରିବି ଶହେ ।
ହାତ ତୋହର ଗୋଟି ଗୋଟି ଛେଚିବି,
ଦାଆରେ ଖଣ୍ଡ ଖଣ୍ଡ କରି କାଟିବି।’
ଡରେ ମୋ ରକ୍ତ ପାଣି, ଆଖି ଅନ୍ଧାର,
ଭୂତ ଦେଖିଲା ଭଳି କରି ଚିତ୍କାର
କଚାଡ଼ି ପଡ଼ି ଚେତା ଗଲାଟି ବୁଡ଼ି,
ଜ୍ଞାନ ଫେରିଲା ଯେବେ ଦେଖିଲି ବୁଢ଼ୀ
ବସିଚି ଜଣେ ମୋତେ କରେ ବିଞ୍ଚଣା,
ମୋତେ ଜାଗିଲା ଦେଖିକହେ, ‘କାନ୍ଦ ନା,
ଏଠି ତୋତେ ଆଦରେ ରଖିଚି ମୁହିଁ
କିଛି କଥାରେ କଷ୍ଟ ନ ହେବ, ତୁହି,
ମୋ ବୋଲ କର ପାଣି ପିଅ ଟିକିଏ’
ମୁଁ କହେ, ‘ପଠାଣର ପାଣିକି କିଏ
ପିଇବ’, ହସି କହେ, ‘ଆଲୋ ବାୟାଣୀ,
ଜାତି ତୋର ଅଛି କି, ପଠାଣ ପାଣି
ନିତି ପିଇବୁ, ଏଠି ଜାତି କାହାରି
ନାହିଁ, କୁଳରୁ ପରା ଗଲୁ ବାହାରି !
କେ ଏଠି ବାଉରାଣୀ, କେ ଚମାରୁଣୀ,
ଧୋବଣୀ, ଭଣ୍ଡାରୁଣୀ, ତନ୍ତୀ, ଚାଷୁଣୀ,
ସଭିଙ୍କ ସଙ୍ଗେ ଏଠି ଏକା ପତରେ
ଖାଇବୁ, କଥା କହ ନା ଲୋ ତମରେ ।
ଘର ଛାଡ଼ି ଆସୁ ତୁ ଲାଜ ସରମ
ବିକିଲୁ, ଏବେ ଖୋଜୁ ଜାତି ଧରମ ।’
କହିଲି, ‘ମାଉସୀ, ତୁ ବୁଝିବୁ ଭୁଲ,
ବେଙ୍ଗ କଥାରେ ଛାଡ଼ି ଆସିଲି କୁଳ
ବରମା ଯିବାଲାଗି ସ୍ୱାମୀ ପାଖକୁ’
କହେ ସେ, ‘ତୁହି ଜାଣିନାହୁଁ ବେଙ୍ଗକୁ,
ପକ୍କା କୁଟୁଣୀ ସେ ତ, ଗାଆଁ ଗାଆଁର
ବୋହୁ ଝିଅଙ୍କୁ କୁଳୁଁ କରେ ବାହାର ।
କହେ ମଧୁର କଥା ନାନା ଛନ୍ଦରେ,
ବିକେ ଆଣି ଏଠାରେ କଉଶଳରେ ।
ତୋ’ ଭଳି କୂଳ ଛାଡ଼ି ମୋର ଏ ଦଶା,
ମାଜଇ ବ୍ରାହ୍ମଣୀ ମୁଁ ପଠାଣ କଂସା ।’
ମୋତେ ସାଷ୍ଟମ କରି ପାଖେ ବସାଇ
କହିଲା, ଝିଅ, ଏଠୁ ଆଉ ପଳାଇ
ନ ଯାଇ ପାରୁ ତୁହି, ତାଲା ଚାବିରେ
ବନ୍ଦୀ କରିଚି, ପୁଣି ଚାରିପିଠିରେ
ଶକ୍ତ ପାଚେରୀ ଘେରା, ଗୁଣ୍ଡା ପଠାଣ
ପଲ ପଲ ଜଗନ୍ତି ତା’ର ଏ ସ୍ଥାନ ।
ବାହାରେ ବିଡ଼ି କାରଖାନା ବୋଲାଏ,
ମାଇକିନା ବିକିବା ଗୁପ୍ତ ଆଡ଼୍ଡ଼ା ଏ ।
ପଠାଣ ହାତେ ପାଇ କେତେ ଲାଞ୍ଛନା
ତୋ’ ପରି ହିନମାନୀ କେତେ କହନା ।
ଏଠି ପଡ଼ି ପଠାଣ ଭାତ ଖାଆନ୍ତି,
ବିକ୍ରି ହୋଇଗଲେ ଦେଶେ ଦେଶେ ଯାଆନ୍ତି ।
ଏଠା ଧୋବଣୀ ଚେମୀ ବଡ଼ ଚତୁରୀ,
ପୁଣି ହୀରା, ପାର୍ବତୀ, ଗେହ୍ଲା, ଶଉରୀ;
ୟାଙ୍କ କାମ- ଯାଆନ୍ତି ଘରକୁ ଘର,
ଓର ଖୋର ବୁଝନ୍ତି ବୋହୂଝିଅର ।
ଗାଆଁ ଘାଟ ପୋଖରୀ କୂଳ ମୂଳରେ
କଥାଭାଷା ହୁଅନ୍ତି ଦୁଃଖ ସୁଖରେ ।
ତହୁଁ ଭୁଲାଇ ଆଣି ପଠାଣ ଘରେ
ପୂରାନ୍ତି ଅତି ଅଳ୍ପ ଟଙ୍କା ଲୋଭରେ ।
ୟାଙ୍କ ସଙ୍ଗେଧରମା ଚଣ୍ଡାଳ ପରି
ଅଛନ୍ତି କେତେ ମର୍ଦ୍ଦ, ସ୍ତିରୀଙ୍କୁ ଧରି
ବିକିବା ତାଙ୍କ କାମ, ଧିକ ଜନମ,
ବିକନ୍ତି ପଠାଣଙ୍କୁ କୁଳ ସରମ ।
ନିଜ ଘର ଲକ୍ଷ୍ମୀଙ୍କୁ ପଠାଣ କୁଳେ
ବିକି ବିକି ଏ ଦେଶ ନାଶ ସମୂଳେ ।
ବଳେ ଯିବ ବୁଡ଼ି ସେ ମହାନଦୀରେ,
ଦେଖିଲିଣି ହିନସ୍ତା ଯାହା ଆଖିରେ ।
ଥରେ ଥରେ ଭାବଇଁ ଯିବି ପଳାଇ,
କିନ୍ତୁ ଖରାରେ ମୋତେ କେ ଦେବ ଛାଇ ?
କୁଳରୁ ଆସି ଯେବେ ମ୍ଳେଚ୍ଛ ପତରେ
ଖାଇଚି ପୂରାଇବ କେ ଆଉ ଘରେ ?
ବାଳୁତ ବିଧବା ମୁଁ ବଡ଼ ଦୁଃଖରେ
କାଟିବି କାଳ କି କହିବି ମୁଖରେ !
ଏଠି ଅଣସ ଜାତି କୁଳେ ତଥାପି
ବୁଢ଼ୀ ହେଲିଣି ଦିନ ସୁଖରେ ଯାପି ।
ଥିଲି ନବ ଯୁବତୀ, ଜଣେ ପଠାଣ
ନିକା ହୋଇ ତା’ ଘରେ ଦେଲାଟି ସ୍ଥାନ ।
କରିମର ହିମ ମୋ ପୁଅ ଦୁଇଟି
ରେଳ ଲାଇନେ କରୁଥିଲେ ପାଇଟି ।
କପାଳ ମୋର ବାମ, ରହିମ ଗଲା
ବାହାରି କଲିକତା, କରିମ ମଲା ।
ତା’ ପିଲାଝିଲା ପଣେ ବେଳେ ବାନ୍ଧିଲି,
ଟଙ୍କା ଛଅକୁ ଏଠି ଭାତ ରାନ୍ଧିଲି ।
ଉପୁରି ଆମଦାନୀ କିଛି ମିଳଇ
ବିଭାଘର କାହାର ଯେବେ ହୁଅଇ ।’
ପଚାରିଲି ଆଶ୍ଚର୍ଯ୍ୟେ, ‘ଏଠି କି ବିଭା,
ଏଠି ପରା ବେପାର ସ୍ତିରୀ ବିକିବା ।’
କହିଲା ବୁଢ଼ୀ, ‘ଏଠି ଯେ କାରବାର
କି ବୁଝିବୁ ହୁଣ୍ଡିଟା ପେଞ୍ଚ ମିଆଁର ?
ଆଣେ ଯାହାକୁ ବିଭା ନାମେ ଭୁଲାଇ,
ଏଠି ଟୋକା ଗୋଟାକୁ ବର ସଜାଇ
ତା’ ସଙ୍ଗେ କରେ ବିଭା ଲୋକ ଦେଖାଇ,
ନିଜ ସୁକର୍ମ ଲୋକ ଆଗରେ ଗାଇ
ମାଗଇ ଚାନ୍ଦା ବଡ଼ ଲୋକ ଦୁଆରେ,
ଅନାଇ ବିଧବାଙ୍କ କୁଳ ଉଦ୍ଧାରେ ।
ପୁଣି ପୋଲିସ ହାତ ଏଡ଼ିବା ପାଇଁ
ଏ ତା’ର କଉଶଳ, ନାମ ଭଣ୍ଡାଇ
ବିଭା କରି ପୁରୁଷ ସ୍ତିରୀ ଦୁହିଁଙ୍କି
ଦିଏ ବିକି କୁଲୀର ଆଡ଼କାଟିକି ।
ସେମାନେ ଟଙ୍କା ଦେଇ ତାଙ୍କୁ କିଣନ୍ତି,
ବର୍ମା ଆସାମ ଚାହା କ୍ଷେତେ ବିକନ୍ତି ।
ସେଠି ତାଙ୍କ ଦୁର୍ଦ୍ଦଶା ଦୁଃଖ କଷଣ
ପଶୁଠୁଁ ବଳି ଅତି ହୀନ ଜୀବନ ।
ଜର ଶୋଥ ପିଳେଇ କଲିଜା ବଢ଼ି
ଅକାଳେ କାମ ଖଟି ମରନ୍ତି ସଢ଼ି ।
ତାଙ୍କ ଖବର କିଏ ରଖେ ଦେଶରେ,
ମୋ’ ପୁଅ ଖବର ମୁଁ ନ ପାଏଁ ଥରେ ।
ଭାବେଁ, ଜୀବନେ ଆଉ ନାହିଁ ମୋ’ ଧନ
ଏସନ ଏ ବୁଢ଼ୀର ପୋଡ଼ା କରମ ।
ତୁ କାହୁଁ ସ୍ୱାମୀ ତୋର ପାଇବୁ ଫେରି,
କିପାଁ କାନ୍ଦୁଛୁ ଦୁଃଖ ଜଞ୍ଜାଳେ ଘାରି ?
ଯୁବା ବୟସ, ରୂପ ଚହଟ ସୁନା,
ତୋ ଗୋଡ଼ତଳେ କହ କି କଥା ଊଣା ।
ଅକୁଳେ ଗଲୁ ଯଦି ଧରମ ହୁଡ଼ି
ମଉଜ କର ଏବେ ସଂସାରେ ବୁଡ଼ି ।’
ତା’ କଥା ଶୁଣୁଥାଏଁ, ତଥାପି ମନ
ନ କହେ କରିବାକୁ ହୀନ କରମ ।
ମାତ୍ର ସେ ଘରେ ମୋର ଥିଲା କି ଚାରା,
ବନ୍ଧୁ ନ ଥିଲେ କେହି ସଂସାର ସାରା ।
ନିତି ସଞ୍ଜ ସକାଳେ ଆଖିରୁ ଢାଳି
ଲୁହ ବେଙ୍ଗକୁ ଦିଏ ଅଜସ୍ର ଗାଳି ।
କିଏ ଶୁଣେ ମୋ’ ଗାଳି, କିଏ ମୋ’ କଥା,
ମୋ ପୋଡ଼ା ଦୁଃଖେ କା’ର ଉଚ୍ଛଳେ ବଥା !
କ୍ରମେ ମୋ ସାଙ୍ଗ କଲେ କୁବ୍ୟବହାର,
ଥଟ୍ଟା ତାମସା ରଙ୍ଗ ନାନା ପ୍ରକାର ।
ଯେତେ ଚଣ୍ଡାଳ ସେଠି ଥିଲେ, ମୋହର
ଲାଜ ସରମ ଘେନି ଖେଳ ତାଙ୍କର ।
ତାଙ୍କ ଜାଳରେ ବଡ଼ କଦର୍ଥନାରେ
କାଟିଲି ମାସେକାଳ ଯମଦୁଆରେ ।
ଆଈ ଧୋବଣୀ, ବାଉରାଣୀ ପତରେ
ଏକାବେଳେ ଇଜ୍ଜତ ମହତ ସରେ ।
ମୋ’ ପାଇଁକି ଗରାଖ ଶେଷେ ଜୁଟିଲା,
ଟଙ୍କା ଦେଇ ପଠାଣ ହାତୁଁ କିଣିଲା ।
ମୋ’ ସାଙ୍ଗେ ନେଲା କିଣି ଆଉ ଗଣ୍ଡାଏ,
ସାବଧାନରେ ନେଲା ଚୋର ପରାଏ ।
ଜାଣିଲି ଜନ୍ମ ଭୂମି ଛାଡ଼ିଲି ନିକ,
ବେଙ୍ଗ ସଙ୍ଗେ ଆସି ଯା’ନ ମଲି ଧିକ ।
ଭାଇ ଭାଉଜ କଥା ସହି ମରଣେ
ଥିଲା ମୋହର ମୁକ୍ତି, ହାୟ କୁକ୍ଷଣେ
ମୋତେ ଜୁଟିଲା ବେଙ୍ଗ, ତା’ କଥା ଶୁଣି
କଲିକତାରେ ବେଶ୍ୟା ମୁଁ ଭୁଆସୁଣୀ ।
ଗଲା ଶଶୁର କୁଳ, ବାପ ଅଜାର
ନାଁ ବିକିଲି ସିନା ବିଚ୍ବଜାର ।
ପହଞ୍ଚିଲି ପହିଲେ ସୁନାଗାଛିରେ,
ନାଁ ଡାକ କଦର୍ଯ୍ୟ ବେଶ୍ୟାସାହିରେ ।
ସେଠି ନେଇଛି ଚାନ୍ଦ ବେଶ୍ୟାଙ୍କ ଠିକା,
ଜାଣିଲି ବେଶ୍ୟା ହେବା କପାଳେ ଲେଖା ।
ଚାନ୍ଦ ହାତରେ ମୋର ରହିଲା ଚୁଟି,
ଚତୁରୀ-ଶିରୋମଣି ସେ ବୁଢ଼ୀ ଖୁଣ୍ଟି ।
ଅଳତା ପାଦେ ତା’ର, ପାକଲା ବାଳେ
କଲପ ଲଗାଏ ସେ, ଠାକରା ଗାଲେ
ପାଉଡ଼ର ବୋଲଇ, ଦାନ୍ତ ଲଗାଇ,
ମିସି ଘଷି, ପାନରେ ଓଠ ରଙ୍ଗାଇ
ନବ ଯୁବତୀ ରୂପେ ଦେହ ସଜାଇ
ଉପର ମହଲାରେ ଶେଯ ଲଗାଇ
ଶିକାର ଆଶେ ବସିଥାଏ ସଞ୍ଜରୁ,
ଦେଖିଲେ ମନୋମତ ଡାକେ ଉପରୁ,
‘ଇଆଡ଼େ ଆସ ବାବୁ, ତୁମ ଘରଣୀ
ଅଥୟ ତୁମ ଲାଗି, ଆସ ଏକ୍ଷଣି’ ।
ତା’ଠାରୁ ବୁଝେ ଯେବା ପୁରୁଷ ଧିଟ,
ତା ଫାନ୍ଦେ ପଡ଼ିହୁଏ ନରକ-କୀଟ ।
ଶୋଷେ ରକତ ତାର ବୁଢ଼ୀ ଡାଆଣୀ,
ନିଏ ଧନୀ ଗରିବ ପକେଟ ଛାଣି ।
ନିଆଁକୁ ଡେଇଁ ଯଥା ପତଙ୍ଗ ମରେ,
ଜଳେ ସେ ନରାଧମ ନର୍କକୁଣ୍ଡରେ ।
ଟଙ୍କା ସରିଲେ ଚାନ୍ଦ ଦୁଆର କିଳେ,
ତା’ କପାଳକୁ ନିତି ଗରାଖ ମିଳେ ।
ନାନା ଜାତିର ସ୍ତିରୀ, ବୁଢ଼ୀ, ଯୁବତୀ
ସାଇତି ରଖିଥାଏ କୁକୁର ମତି
ଜଞ୍ଜିରେ ବାନ୍ଧି ରଖିଥିଲା ପରାଏ,
ତାଙ୍କ କମେଇତକ ବଳେ ଛଡ଼ାଏ ।
ଗିଲିଟି ଗହଣାରେ ତାଙ୍କୁ ସଜାଏ,
ରୂପ ବୟସ ଦେଖି ମୂଲ ଲଗାଏ ।
କା’ ମୂଲ ଚାରି ଅଣା, ଦି’ ଅଣା କା’ର,
ଅଣିକିଆ ଅଛନ୍ତି, ପୁଣି ଉଧାର ।
ଦିଏ କାହାକୁ ସୁଧମୂଳ ହିସାବେ,
ପକା ମହାଜନ ସେ, ଜାଣେ କି ଭାବେ
ସବୁ ଶ୍ରେଣୀ ଗ୍ରାହକ ମିଳିବ ମନ,
ଗରିବ ଓଡ଼ିଆଙ୍କ ଲୁଟିବ ଧନ ।
ସେ ଆସନ୍ତି ବିଦେଶ ଧନ ଆଶାରେ,
ୟେ ତାଙ୍କୁ ନର୍କେ ଫିଙ୍ଗି ମୂଳରୁ ମାରେ ।
ମୋତେ ପହିଲେ ଯେବେ ଦେଖିଲା ସେହି
ଗୋଡ଼ଠୁ ମୁଣ୍ଡଯାଏ ଗଲା ଅନେଇ
ମାଇନା କଲାପରି, ତା ତୀକ୍ଷ୍ଣ ଆଖି
ଗିଳିବ ମୋତେ ଭାବେଁ, ଦାସୀକି ଡାକି
କହେ, ଆସିଚି ଭଲ ଶିକାରଟିଏ,
ମଫସଲିଆଣୀଟା, ଦିନ କୋଡ଼ିଏ
ଲାଗିବ ୟା’ ପଛରେ, ରୂପ ମଜାଇ
ଦେବି ମୁଁ ୟାକୁ ନାନା ରଙ୍ଗେ ସଜାଇ ।
ତା’ କଥାମତେ ମୋତେ ସଙ୍ଗରେ ନେଇ
ରଖିଲେ ଯୁବତୀଏ ପ୍ରବୋଧ ଦେଇ ।
ଗହଣା ଲୁଗା ଆଣି ମଣ୍ଡି ଦେହରେ
ନିତି ବାସନା ତେଲ ବୋଲି ମୁଣ୍ଡରେ
ମୋତେ ଗାଧୋଇଦେଇ କରନ୍ତି ସଜ
ପାନ ଅତର ଦେଇ, କେଡ଼େ ନିଲଜ
ସେ ମାଇପିଗୁଡ଼ାଏ, ତାଙ୍କ କାଣ୍ଡରେ
ପିଳେଇ ଚମକେ ମୋ, ବସି ଦାଣ୍ଡରେ
ୟାକୁ ତାଙ୍କୁ ଡାକନ୍ତି ବେହିଆପଣେ,
ଶେଷେ ତାଙ୍କ ମଧ୍ୟରେ ହେଲି ମୁଁ ଜଣେ ।
ଦିନୁ ଦିନୁ ମୋ ଛାଡ଼ିଗଲା ସରମ,
ଶିଖିଲି କ୍ରମେ ନାନା ମନ୍ଦ କରମ ।
ଦିନୁ ଦିନୁ ମୋ ରଙ୍ଗ ହେଲା ଉଜ୍ୱଳ,
ମୋ ଅଧିକାର କ୍ରମେ ହେଲା ପ୍ରବଳ ।
ଚାନ୍ଦ କଥାକୁ ଏବେ ଖାତିର ନାହିଁ
ନିତି ନୂଆ ଗରାଖ ବାବୁଙ୍କୁ ପାଇ ।
କରେ ବଡ଼ ଚାକିରୀ ଶ୍ୟାମସୁନ୍ଦର,
ପାଏ ପଚାଶ ଟଙ୍କା କମଳାକର ।
ଆର୍ତ୍ତତ୍ରାଣ ପଚିଶି ଟଙ୍କା କମାଏ,
ଗୋବିନ୍ଦା ରାନ୍ଧିବାଢ଼ି ମନ ଯୋଗାଏ ।
ପରସ୍ପର ଏମାନେ ମୋ ଲାଗି କଳି
ଭୁଆ ବିରାଡ଼ି ପରି କରନ୍ତି ଜଳି ।
ମୁଁ ଚତୁରେ ସଭିଙ୍କ ମନ ବିଡ଼ଇ,
ତାଙ୍କୁ ଚାହେଁ ବେଶି ଯେ ଟଙ୍କା ଦିଅଇ ।
ମୁହେଁ ସଭିଙ୍କ ମିତ, ଅନ୍ତରେ ସ୍ନେହ
ନଥାଏ, ଟଙ୍କା ଲାଗି ବିକଇ ଦେହ ;
ହୋଇଲା ଓଡ଼ିଆଙ୍କର ସେ ଆଡ଼୍ଡ଼ାଘର
ନାଟ ତମସା ମେଳ ମଉଚ୍ଛବର ।
ମଦ, ଗଞ୍ଜେଇ, ତାସ, ପଶା ଉଡ଼ିଲା,
କେତେ ପ୍ରାଣୀଙ୍କ ତହିଁ ଭେଳା ବୁଡ଼ିଲା ।
କେତେ ନବ ଯୁବତୀ ଶିକ୍ଷାରେ ମୋର
ପଡ଼ିଲେ ପାପ ପଙ୍କେ ନରକେ ଘୋର ।
ମୋ ଘର ହେଲା ମହା ପାପର ଖଣି,
କହି ନ ହେବ ଯେତେ ଦୁଷ୍ଟ କରଣି
କଲି ମୁଁ ଅକାତରେ, ଲାଜ ଧରମ
କିଛି ନ ଥିଲା ମୋର, କେବଳ ଧନ
ପାଇବା ଆଶେ ନିତି ନୂଆ ଫିକର
କରି ଲୋକଙ୍କର ମୁଁ ଉଜାଡ଼େ ଘର ।
ହୋଇଲେ କେତେ ଘରଦୁଆର-ଛଡ଼ା,
କେତେ ଟୋକୀଙ୍କି ଆଣି ଲଗାଏଁ ଭଡ଼ା ।
ତାଙ୍କ କମାଇଁ କରେଁ ହାତପଇଠ,
ମୁଠାଏ ଭାତ ଖଣ୍ଡେ ଲୁଗାରେ ଧିଟ
ପଡ଼ିଥାଆନ୍ତି ମୋର ଗୋଡ଼ତଳରେ,
କିନ୍ତୁ ଜଳାଉଥା’ନ୍ତି କଳିଗୋଳରେ ।
ଶାନ୍ତି ନ ଥାଏ ତହିଁ, ନରକ କୁଣ୍ଡ
ଯେତେକ ଯମଦୂତ ସେଠି ସେ ରୁଣ୍ଡ ।
ଦାଣ୍ଡରେ ଭିଡ଼ାଭିଡ଼ି, ଟଣାଓଟରା,
ମାଡ଼ଗୋଳ, ଫଜିତ୍, ଗାଳି, ଘୋଷଡ଼ା ।
ନିତି ମାଲିମାମଲା, ଫଉଜଦାରୀ,
କୋର୍ଟ କଚେରୀ ଚଢ଼ା, ହାରିଗୁହାରି
ଜୀବନକୁ ବ୍ୟାକୁଳ କଲା ମୋହର,
ଧିକ ସେ ପାପଧନ ବଡ଼ ଜହର ।
ପାପ ପଣେ କି ସୁଖ ମୁହିଁ ଜାଣଇଁ,
ନିତି କଚେରୀଦ୍ୱାର ଟଙ୍କା ଗଣଇଁ ।
ପୋଲିସେ ଦିଏ ଘୁଷ୍, ପାଖ ଲୋକଙ୍କୁ
ଅର୍ଥରେ କରେ ବଶ, ଜଣ ଜଣଙ୍କୁ ।
ଖୋଷାମଦ କରି ମୋ ଜୀବନ ଯାଏ,
ଭାତ ନ ଖାଏଁ ମୁଁ ତ ଗରଳ ଖାଏଁ ।
ଏତେ କରି ତଥାପି ଫାନ୍ଦେ ପଡ଼ିଲି,
ଖୁଣୀ ମାମଲା ଗୋଟା ସଙ୍ଗେ ଜଡ଼ିଲି ।
କେତେ ଓକିଲ କଲି, କେତେ ମିଶଲ,
କିନ୍ତୁ ପ୍ରମାଣ ହେଲା କଥା ଅସଲ ।
ନ ହେଲା ଫଳ ମିଛ ସାକ୍ଷୀ ଗୁଆରେ,
କଠିନ ଜେଲ ଦଣ୍ଡ ହେଲା ବିଚାରେ ।
ତିନି ବରଷ ପାଇଁ ଜେଲର ଭାତ
ଥିଲା କପାଳେ ପୁଣି ଏ ଉତପାତ ।
ନାନା ରୋଗେ ପହିଲୁ ନାଶ ଦେହର
ହୋଇଥିଲା, ସେଥିରେ ଏ ଭୟଙ୍କର
ହାଡ଼ଭଙ୍ଗା ଖଟଣୀ ଜେଲ ଭିତରେ,
କୂଅରୁ ପାଣି କାଢ଼ି ଦିଏଁ ଗଛରେ
ଝୋଟ, କତାବାଡ଼ିଆ, ଦରି, ଚଟେଇ,
ହେଁସ, ମସିଣା ବୁଣା, ସୂତା କଟେଇ,
ଚକି ପେଷା, ବାସନ ମଜା, ରୋଷେଇ,
କଇଦିଆଣୀଙ୍କର ଲୁଗା କଚେଇ ।
ପାଇଖାନା ପର୍ଯ୍ୟନ୍ତ ହାତେ କାଢ଼ିଲି,
ମାଆ ପେଟୁ ନ ମରି କିଆଁ ବଞ୍ଚିଲି !
ହାତେ ପଡ଼ିଲା ବିଣ୍ଡି, ଭାଙ୍ଗିଲା ହାଡ଼,
ସେଥିରେ ଓ୍ୟାର୍ଡ଼ରାଣୀ ଦିଅଇ ମାଡ଼ ।
ତଥାପି ଜେଲଖାନା ଥିଲା ଉତ୍ତମ,
କାମ ଘେନି ଦିଅନ୍ତି ବସ୍ତ୍ର ଭୋଜନ ।
ବାହାରେ ଆସି ଦେଖେଁ ସ୍ଥାନ ମୋ’ ପାଇଁ
ଆକାଶତଳେ ଆଉ କେଉଁଠି ନାହିଁ ।
ଭଲ ହେବି ଏଥର ପ୍ରତିଜ୍ଞାକରି
ଜେଲ୍ରୁ ଆସିଥିଲି, କିନ୍ତୁ ମୋ’ ପରି
କଇଦିଆଣୀ ପୁଣି ବେଶ୍ୟା ପାଇଁକି
ଭଲ ହେବାର ବାଟ ଭବେ ଅଛି କି
ସମାଜେ ମୋର ସ୍ଥାନ ନାହିଁ ଜାଣିଲି,
ସୁନାଗାଛିକି ଥରେ ଯାଇ ଚାହିଁଲି ।
ସେଠି ଥିଲା ପୂର୍ବେ ଯେ ବେଶ୍ୟାମହଲ
ଆଉ କେ କରିସାରିଥିଲା ଦଖଲ ।
ଶୁଣିଲି ଚାନ୍ଦବୁଢ଼ୀ ମରିଗଲାଣି,
ତହୁଁ ସେଠାରୁ ଗଲି ମାଗି ମେଲାଣି ।
ଫଟା ପାହୁଲାଟିଏ ନାହିଁ ଅଣ୍ଟାରେ,
ଦୁଃଖେ ବସିଲି ଆସି ସଡ଼କଧାରେ ।
କାହାନ୍ତି ଆଉ ପୂର୍ବ ପାପର ସାଥୀ
ଚାଲୁଥିଲେ ଯେ ସଙ୍ଗେ ଫୁଲାଇ ଛାତି ।
ସଡ଼କ କରେ ବସି ମୁହିଁ ନିରାଶେ
ଚାହେଁ ଚଉଦିଗକୁ ଆଶ୍ରୟ ଆଶେ ।
ସେ ବାଟ ଦେଇ ଗଲା ଜଣେ ଓଡ଼ିଆ,
ଦେଖିମୋତେ ଠାରିଲା, ହେଲି ମୁଁ ଠିଆ ।
ଆସି ନିକଟେ ମୋତେ ଧୀରେ ଡାକିଲା,
କହି ନ ପାରିବି ସେ ଯାହା କହିଲା ।
କିନ୍ତୁ ମୋର ସରମ ଧରମ ଜ୍ଞାନ
ନ ଥିଲା, ଆଶା ପାଇ ଉଲ୍ଲାସ ପ୍ରାଣ
ପୁଣି କଲି ଆରମ୍ଭ ପୂର୍ବ ଜୀବନ,
ଉପାୟହୀନ ମୋର ମନ୍ଦ କରମ ।
କିନ୍ତୁ ହାବୁଡ଼େ ଯାର ପଡ଼େ ନିଷ୍ଠୁର
ତଣ୍ଟିଚିପା ସେ ରକ୍ତଖିଆ କୁକୁର ।
ଭଲ ମନ୍ଦର ଜ୍ଞାନ ନ ଥିଲା ମୁଣ୍ଡେ
ନିଶାରେ ନାଲି ଆଖି, ସର୍ବଦା ତୁଣ୍ଡେ
ଅତି ଅକଥ୍ୟ ଗାଳି, ଜାତିରେ ପାଣ,
ତା’ କତିରେ ସମାନ ହାଡ଼ି ପଠାଣ ।
ଟଙ୍କା ଲାଗି ନ କରି ପାରେ ଏପରି
ମାପ ନ ଥିଲା, ଧାତୁ ଗର୍ମିରେ ସରି
ଦୁର୍ଗନ୍ଧୀ ଘାଆମାନ ସର୍ବାଙ୍ଗେ ଫୁଟି
ରକତ ପୂଜ ପଡ଼ୁଥାଏ ଉକୁଟି ।
ଘୃଣାରେ ମରୁଥାଏଁ, କିନ୍ତୁ ଭୟରେ
ଧୁଏଁ ସେ ଘାଆ, ପଟି ବନ୍ଧେ ହାତରେ ।
ଶେଷକୁ ରୋଗତକ ହେଲା ମୋ’ ଠାରେ
ଘୋଷାଡ଼ି ଦେଲା ଛାଡ଼ି ଡାକ୍ତରଖାନରେ ।
ସେଠି ପପର ଉଆର୍ଡ଼ ପିଣ୍ଡାରେ ବସି
ଭଲ ହେଲି ଛ’ମାସ ରୋଗରେ ସଢ଼ି ।
ତହିଁ ହାଡ଼ି ଗୋଟାକ ସଙ୍ଗରେ ଭାବ
କଲାରୁ ଦେଲା ଆଣି ଧାପାରେ ଠାବ ।
ଧାପା ଅତି ମଇଳା ଜାଗା, ସେଠାରେ
ମଣିଷ ଛାଡ଼, ପଶୁ ରହି ନ ପାରେ ।
ଏ ହାଡ଼ି ପୁଣି ଦାରୁ-ଗଞ୍ଜେଇଖୋର,
କାଟିଚି କଳାପାଣି, ନିପଟ ଚୋର ।
ସେ ମୋତେ ଛେଚି ଛେଚି ନିଶାଭୋଳରେ
ଭାଙ୍ଗିଲା ହାଡ଼ ଗୋଡ଼, ତହୁଁ ରାଗରେ
ପଳାଇଆସି ରହେଁ ଅନ୍ୟ ଜାଗାରେ,
ମିଲ୍ ଏରିଆ କୁଲିଙ୍କର ପଡ଼ାରେ ।
ମିଲ୍କୁଲିଙ୍କ ଦେହେ ଭେକ ନ ଥାଏ,
ତଥାପି ଅଧା ଧନ ନିଶାରେ ଯାଏ ।
ଅତି ଅଳ୍ପ ଦରମା, ଅଧା ଉପାସେ
ଗୋଟାଏ ଘରେ ଥା’ନ୍ତିଜଣ ପଚାଶେ ।
ବଡ଼ ଅନ୍ଧାର ପୁଣି ସେ ଘରଗୁଡ଼ା,
ନାହିଁ ଝରକା ତହିଁ, ମଇଳା କୁଢ଼ା
ଦାଣ୍ଡେ ଦାଣ୍ଡେ, ଗନ୍ଧରେ ଦଣ୍ଡେ ସେଠାରେ
ରହିବ କିଏ, କିନ୍ତୁ ଅଳ୍ପ ଭଡ଼ାରେ
ଥାଆନ୍ତି ଏହିମାନେ, ପଶୁଠୁ ବଳି
ୟାଙ୍କ ଜୀବନ, ନିତି ଗଞ୍ଜେଇ ମଳି
ନାଟ ତାସ ପଶାର ଆଡ଼ା ଜମାଇ
ଫୁଙ୍କିଦିଅନ୍ତି ହାଡ଼ଭଙ୍ଗା କମାଇ ।
ୟାଙ୍କ ଆଶ୍ରାରେ ବେଶ୍ୟା ଥା’ନ୍ତି ଅନେକ,
ୟା’ଙ୍କ ଭଳି ନ ଥାଏ ତାଙ୍କର ଭେକ ।
ମୁଁ ଯାଇ ସେହିଠାରେ ତାଙ୍କ ମେଳରେ
କାଟିଲି କାଳ ପାପ ବ୍ୟବସାୟରେ
ଧିକ ଓଡ଼ିଆ କୁଳେ ପାଇ ଜନମ
ଏତେ କୁକଥା ଦେଖି ଅନ୍ଧ ନୟନ
ନ ହେଲା ଯାହା, ହାୟ ବେଶ୍ୟା ଜୀବନ
ଅତି ହୀନ ପଶୁଠୁ, ସେହି ଅଧମ
ଜୀଅନ୍ତା ନତି ଭୋଗୁଥାଏ ନରକ,
କୁଟୁଣୀ ବୁଢ଼ୀ ହାତେ ବନ୍ଦୀ କାଳକ ।
ରୂପ ନାହିଁ ଅଳପ ମୂଲ ଯାହାର
ନାଚ ଗୀତ ବାଜଣା କଥା ବେଭାର,
ତା’ କପାଳେ ମିଳନ୍ତି ନିହାତି ହୀନ,
କୁଲି କବାଡ଼ୀ ହାଡ଼ି ରୋଗମଳିନ ।
ଅଧା ଦିନ ଡାକ୍ତରଖାନାରେ ପଡ଼ି
ନାନା ମନ୍ଦ ବ୍ୟାଧିରେ ଯାଏ ସେ ସଢ଼ି ।
ରୂପ ଥିଲେ ଆଦର କରନ୍ତି ଲୋକେ
ରୂପ ସରିଲେ ମରେ ପେଟର ଭୋକେ ।
ବେଶ୍ୟା କହି ଘୃଣାରେ ଟେକନ୍ତି ନାକ,
ପାଖେ ନ ପଶନ୍ତି ତା’ ପ୍ରେମିକଯାକ ।
ଜଗତେ ସ୍ଥାନ ତା’ର କେଉଁଠି ନାହିଁ
ବେଶ୍ୟା ବୋଲି ଯେ ନାମ ଦେଲା ଲେଖାଇ ।
ହେଲାଣି ଏଠି ଷୋଳ ବରଷ ଆସି,
କଲିକତା ଖବର ରାଶିକି ରାଶି
ଜାଣେ ମୁଁ, କି କହିବି ଲାଜର କଥା,
ଓଡ଼ିଆ ଝିଅତକ ବିକିଲେ ମଥା ।
ଆସି ଏ ବିଦେଶକୁ ବେଶ୍ୟା ବୋଲାଇ
ବାପ ଭାଇଙ୍କ ନାମ ତଳେ ପକାଇ
ଦଳ ଦଳ କରନ୍ତି ପେଶା ଏଠାରେ,
କିନ୍ତୁ ସବୁଠୁ ହୀନ ଦଶା ବଜାରେ ।
ଅନ୍ୟ ଜାତି ବେଶ୍ୟାର ଅଛି ସୁନାମ,
ନାଚ ଗୀତ ବାଜଣା ସିନେମା କାମ ।
ଧନୀ ସେମାନେ, ନାନା କଳା ବିଦ୍ୟାରେ
ତାଙ୍କ ନାମ ବିଖ୍ୟାତ ହୁଏ ସଂସାରେ ।
କିନ୍ତୁ ୟା’ଙ୍କର ନାହିଁ କିଛି କରଣି,
ଦେହ ବିକନ୍ତି ମାତ୍ର ଏ ଅଲକ୍ଷଣୀ ।
ଗଣ୍ଡା ଗଣ୍ଡା ବାଟରେ ବସନ୍ତି ଯାଇ,
ବିକନ୍ତି ଦେହ ପାନ ଖିଲକ ପାଇଁ ।
ଗରାଖ ଲାଗି କଳିଗୋଳ କରନ୍ତି,
ନିଲାମ ଭଳି ଛଡ଼ାଛଡ଼ି ହୁଅନ୍ତି ।
ଅଧ ଲକ୍ଷରୁ ବେଶି ହେବ ଏମାନେ,
ୟାଙ୍କ ଲାଗି ଓଡ଼ିଆ ସଢ଼େ ଦୁର୍ନାମେ ।
ୟାଙ୍କ ପାଇଁ ବେବସ୍ଥା ଦେଶ ନ କରେ,
ଓଡ଼ିଆ ଚାକିରିଆ ୟାଙ୍କ ପାଲରେ ।
ପଡ଼ି ଧରମ ହୁଡ଼ି ଯାଏ ସେ ବୁଡ଼ି,
ଦିଅନ୍ତା ଘରକୁ ଯା ଟଙ୍କା କଉଡ଼ି
ଭଡ଼ାଏ ୟାଙ୍କ ପଛେ, ପିଲା କବିଲା
ମନେ ନ ପଡ଼େ କିଏ ମଲା ଜୀଇଁଲା ।
ଗାଆଁରେ ଭାରିଯାଟି କୁଟଇ ଧାନ,
ଏଠି ବେଶ୍ୟାକୁ ଦିଏ ଅତର ପାନ ।
ଯେତେ ବେଶ୍ୟାଙ୍କ ଆଡ଼ୁ ତାର ଚାଳକ
ଥାଆନ୍ତି ଆମ ଦେଶ କୁଳକଳଙ୍କ,
ତାଙ୍କ ଯୋଗୁଁ ଏ ପାପ ବେପାର ଚଳେ,
ଦେଶୁ ନାରୀ ଚଳଇ ତାଙ୍କ କୌଶଳେ ।
ଏ ଠିକାଦାରଯାକ ଚତୁର ପ୍ରାଣୀ,
ଆଖି ବୁଜି ଏମାନେ ପିଅନ୍ତି ପାଣି ।
ୟାଙ୍କୁ ଜାତିରୁ ସିନା କଲେ ଅନ୍ତର,
ଦେଲେ ଦଣ୍ଡ ୟାଙ୍କର ପାପକର୍ମର
ହୁଅନ୍ତା ଆମ ନାରୀକୁଳର ହିତ,
ୟାଙ୍କ କଥା ଦିନେ କେ ବୁଝୁନାହିଁ ତ !
ଅଛି କି ଆଉ ଧର୍ମ ଓଡ଼ିଶା ରାଜ୍ୟେ,
ଜଗନ୍ନାଥଙ୍କ ଦେଶ କୋଟି ଅକାର୍ଯ୍ୟେ
ଭରା, ଗୋଟି ଗୋଟି ମୁଁ କେତେ କହିବି,
ପୋଥି ହୋଇବ ଯଦି ଲେଖିବସିବି ।
ହାୟ, ସମୟ ଯଦି ଥାଆନ୍ତା ମୋର,
ଉଦ୍ଧାର କରନ୍ତି ଏ ନରକୁ ଘୋର,
କେତେ ଯୁବତୀ, ଅନ୍ଧ ଅଜ୍ଞାନ ନାରୀ,
ଭାବିଲେ କି ହେବଟି ଦେଲି ଯା ସାରି
ଜୀବନ ଯଉବନ ଏ ପାପ ପଥେ,
ପାପେ ଭରା ନଉକା ବୁଡ଼ିବ ସତେ
ମହାସିନ୍ଧୁ ଜଳରେ, ନାହିଁ ସମୟ,
କାତର ପ୍ରାଣ ଆଉ କିପାଁ ଅଥୟ ?
ଅସାଧ୍ୟ ରୋଗ ଏବେ ଧରିଚି ଆସି,
ରକତ-କାଶ ଜ୍ୱର ଶରୀର ଗ୍ରାସି
ହାଡ଼ କଙ୍କାଳ କରି ଦେଲାଣି ଛାଡ଼ି,
ବାହୁନିବି କେତେ ମୁଁ ଧାଡ଼ିକି ଧାଡ଼ି ।
ଯେତେ ଅକର୍ମ କଲି ପୋଡ଼ା ଜୀବନେ
ଏବେ ଦାରୁଣ ରୋଗ ଶେଯ ଶୟନେ
ଭାଳେଁ ଏକା ମୁଁ ଦୋଷୀ ନୁହେଁ କେବଳ,
ଦୋଷୀ ମୋ ଭାଇବନ୍ଧୁ, ମୋ ପାପଫଳ
ଏକା କିପାଁ ଭୋଗିବି, ଦୁର୍ନାମ ମୋର
ଓଡ଼ିଆଙ୍କ କଳଙ୍କକାଳିମା ଘୋର ।
ତାଙ୍କ ମୁହଁରୁ କଳା କିଏ ପୋଛିବ
ମନରେ ସେ ହେଜନ୍ତୁ, ଏ କ୍ଷୁଦ୍ର ଜୀବ
କି କହିବ ତାହାଙ୍କୁ ଦେଶର ଭାଇ
ଭଉଣୀଙ୍କ ଦୁର୍ଦ୍ଦଶା ଲାଗି ସେ ଦାୟୀ ।
ତାଙ୍କ ପୋଥୀ ପାଞ୍ଜିରେ ଆମ ପାଇଁକି
ମାନ ମହତ ରଖା ଲେଖାନାହିଁ କି ?
ତାଙ୍କ ପାପ କରମ ଓଡ଼ିଆ ଭାଇ
ଛାଡ଼ନ୍ତୁ ବିଦେଶରେ ଟଙ୍କା କମାଇ,
ନିଶା ପଶାରେ ମିଛେ ମିଛେ ଉଡ଼ାଇ
ନିଜେ ଦେଶ ନାରୀଙ୍କି ଭଡ଼ା ଲଗାଇ,
ନିଜ ଗଳାରେ ଛୁରୀ ଦେଇ ନ ମରି
ରହନ୍ତୁ ଦୁନିଆରେ ମଣିଷ ପରି ।
ତେବେ ସିନା ଦେଶର ହେବ ମଙ୍ଗଳ,
କହିଲି ଏତକ ମୁଁ ଶୋକେ ବିକଳ ।
ହରିନାମ ଅନ୍ତରେ ଭରସା କରି
ପତିତା ନାରୀ ସତେ ଯିବ କି ତରି ?
ମୋ ଭଳି ମହାପାପୀ ତାଙ୍କ କୃପାରେ
ଯିବି କି ଭୀମ ଭବସାଗର ପାରେ !
ଯେତେ ଦିନ ବଞ୍ଚିବି କାନ୍ଦିବି ଖାଲି
ପୋଡ଼ା କରମେ ଦେଇ ଧିକ୍କାର ଗାଳି ।
ମୋ ଦଶା ଦେଖି ସାବଧାନ ହୋଇବ,
ଏତିକି ଶେଷ କଥା ମୋର ଜାଣିବ ।
ଓଡ଼ିଆ ପୁଅମାନେ ଯାହା କରୁଛନ୍ତି ମୁଁ ସେଥିରେ ସହମତ । ବିଦେଶରେ କୁଲିଗିରି କରିବାଠାରୁ ଦେଶରେ ମରିବା ଭଲ । କିନ୍ତୁ ଏ ମରିବେ କାହିଁକି ? ୟାଙ୍କ ଦେଶ ଧନ ଅନ୍ୟମାନେ (ଯଥା ମାରବାଡ଼ୀ ଓ ବଙ୍ଗାଳୀ) ଲୁଟୁଛନ୍ତି । ଏମାନେ ପର ଦେଶରେ ପଡ଼ି ଏଡ଼େ ହୀନସ୍ତା କାହିଁକି ହେବେ ? ଏମାନେ ଦେଶକୁ ଯାଇ ନାନା ଦିଗରେ ନିଜ ଦେଶରେ ଉନ୍ନତି କରନ୍ତୁ; ଆଉ ଜାତିର ଟେକ ବଢ଼ାନ୍ତୁ ।
କୁନ୍ତଳାକୁମାରୀ
ଏ ବୀର ମାଟି କୀରତି କଥାଟି
ପୀରତିରେ ଥରେ ମନେ ପକାଅ ଟି । (ଘୋଷା)
ମରକତ, ଭୀମ, ପୁରୁଷ-ଉତ୍ତମ,
କଳିଙ୍ଗ-କେଶରୀ ଐର ଅବିନ୍ଦମ,
ମୁକୁନ୍ଦ, ଯଯାତି, ଲଳିତେନ୍ଦୁ ନାମେ
ବାରବାଟି ପୁରେ ବାଜା ବଜାଅ ଟି ।
ମୁକୁଟମଣିଟି ଗୋଟିଏ ରଜାର,
ମୁଲକ ମାଲିକ ଦୂର ଦରିଆର,
ଅରାତି-ଶୋଣିତ-ରଙ୍ଗା ଖଣ୍ଡାଧାର
ବିଜୟସଙ୍ଗୀତ ବାରେ ଶୁଣାଅ ଟି ।
ସାଗର ଚିଲିକା ବୋଇତରଣୀ,
ପାଇକ ତରୁଣୀ ଲାଖବିନ୍ଧାଣି,
ଧନୁକ ଭଙ୍ଗାର ଲୀଳା କାହାଣୀ
ଓଡ଼ିଆର ଘରେ ଘରେ ଜଣାଅ ଟି ।
ଓଡ଼ିଆ ବ୍ରାହ୍ମଣ ପୁଅ ମୁଁ, ଆଜି ଏ ବିଦେଶରେ
ପରର ଗୋଲାମି ଖଟିଣ କାଳ କାଟେଁ ଦୁଃଖରେ ।
କି ପରା ବଂଶର ପୁଅ ମୁଁ ହୋଇଅଛି ପୂଜାରୀ,
ଭାତ ରାନ୍ଧି ବାପ ଦାଦିର ନାଆଁ ଦେଲି ଟି ସାରି ।
ଚିର ସ୍ୱାଧୀନତା ଯାହାର କୁଳଧରମ ଭାଇ,
ଦଶ ପାଞ୍ଚ ଟଙ୍କା ଦରମା ପାଇଁ ସରମ ନାହିଁ ।
ସବୁ ଜାତି ମଥାମଣି ମୁଁ ସେବକ-ବ୍ରତଧାରୀ,
ଏଠି ଗାଳି ଖାଇ ପ୍ରାଣଟା ଲାଜେ ହେଉଛି ଘାରି ।
ଶ୍ୟାମଳ ତମାଳ, ପୁନ୍ନାଗ, ଗୁଆ, ନଡ଼ିଆ ଗଛ –
ଘେରା ସେ ସୁନ୍ଦର ଶାସନ, ଯହିଁ ସରସୀ ସ୍ୱଚ୍ଛ,
କୁମୁଦ, କମଳ, କହ୍ଲାରେ ଦିଶେ କି ମନୋରମ,
ବୈଦିକ ବ୍ରାହ୍ମଣ କୂଳରେ ତହିଁ ମୋର ଜନମ ।
ମୋ’ ପୂର୍ବପୁରୁଷ କୀରତି ପବିତ୍ର ବରଣୀୟ,
ବିଦ୍ୟାଦାନ ପାଠପଠନେ ଥିଲେ ସେ ସ୍ମରଣୀୟ ।
ନ୍ୟାୟ, ତର୍କ, ସ୍ମୃତି, ଶ୍ରୁତିରେ ପୁଣି ବ୍ୟବସ୍ଥା ଦାନେ
ଥିଲା ତାଙ୍କ ମହା ଅକ୍ଷୟ ଯଶ ଭାରତଧାମେ ।
ଭାଗବତ, ଗୀତଗୋବିନ୍ଦ ତାଙ୍କ କଣ୍ଠଭୂଷଣ ।
ପରର ପତରେ ଖାଇ ମୁଁ ଆଜ କୁଳଦୂଷଣ ।
ପୁରୀ, ଯାଜପୁର, ଭୁବନେଶ୍ୱର, ସାକ୍ଷୀଗୋପାଳ
ଶୋଭଇ ଓଡ଼ିଶା ରାଜାର ଦତ୍ତ ଶାସନମାଳ ।
ଶାସନର ଅଧିକାରୀ ଦେଶଶାସନ ଲାଗି
ରଜାଙ୍କ ଡାହାଣ ହାତ ସେ, ଭୋଗୀ ପୁଣି ତିଆଗୀ ।
ପରମ ପଣ୍ଡିତ ଥିଲେ ସେ ସର୍ବ ବିଦ୍ୟାଚର୍ଚ୍ଚାରେ,
ଯାଗଯଜ୍ଞକାରୀ କୁଶଳ ଦେବପୂଜା ଅର୍ଚ୍ଚାରେ ।
ତାଙ୍କ ତେଜେ ଲୋକେ କମ୍ପନ୍ତି, ଆମଠି ତେଜ କାହିଁ,
ବିଦେଶରେ ଆଜି ପଡ଼ିଚୁଁ ମୁଠିଏ ଅନ୍ନ ପାଇଁ ।
ବି.ଏ.ଏମ ପଢ଼ି ବଙ୍ଗାଳୀ ହୋଇଛନ୍ତି କିରାଣୀ,
ଆମେ ଅପାଠୁଆ ତାଙ୍କର ସଜାଡ଼ୁଁ ଅନ୍ନପାଣି ।
ନାଆଁକୁ ଠାକୁର ବୋଲାଉଁ, ସେ ତ ଡାକ ଥଟ୍ଟାର,
ଚାକରର ଯାହା ଇଜ୍ଜତ ତାହାକୁ ନମସ୍କାର ।
ଆମ ଠାକୁରଙ୍କ ଦୁର୍ଗତି କହିଲେ ନ ସରିବ,
ଆମ ଭଳିହୀନ ଜୀବନ ଆଉ କିଏ କରିବ ?
ଭୁଲିବାକୁ ଦୁଃଖଦୁର୍ଦ୍ଦଶା ଆମେ ନିଶାର ଦାସ,
ସମୟ ପାଇଲେ ପଶାରେ ଭୁଲୁଁ ମାଡ଼ ପରାସ ।
ଅଳପ ଦରମାଗଣ୍ଡାକ ଯାଏ ମଉଜେ ଉଡ଼ି,
ଘରକଥା ଭୁଲିଗଲୁଣି ମାଆ ମାଉସୀ ଖୁଡ଼ୀ ।
ସ୍ତ୍ରୀ ସନ୍ତାନ ଥିବେ କିପରି ଗଲାଣି ସେ ପାସୋର,
ଦିନେ ଦିନେ ବୁଡ଼ିଯାଉଚୁଁ ନରକକୁଣ୍ଡେ ଘୋର ।
ପବିତ୍ର ବ୍ରାହ୍ମଣ ସନ୍ତାନ ଭୁଲି ବଂଶସମ୍ମାନ
ମଦ, ବାରାଙ୍ଗନା, ପଶାରେ ହଜାଉଁ ଧନ, ଜ୍ଞାନ ।
ନାନା ବ୍ୟାଧି ଦେହେ ବିକଶେ ନାନା ଉତ୍ପାତେ ପଡ଼ି
ଅକାଳେ ମରନ୍ତି ଅନେକେ ବହୁ ଦୁଃଖରେ ସଢ଼ି ।
ଚରିତ୍ର ବୋଲି ତ ଆମଠି ନାହିଁ କିଛି ପଦାର୍ଥ,
ଘାଣ୍ଟି ହୋଇ ପାପପଙ୍କରେ ଭୁଲିଚୁଁ ପରମାର୍ଥ ।
ଆମକୁ ଦେଖିଲେ ବ୍ରାହ୍ମଣ ବୋଲି କିଏ କହିବ,
ଧର୍ମ-କର୍ମ-ବିଦ୍ୟା-ଚରିତ୍ରହୀନେ କେ ଆଦରିବ ?
ଧିକ ଏ ଜୀବନ ଧିକ ମୋ’, ନ ରହିବି ଏଠାରେ,
ଏପରି ଜୀବନ ବହି ମୁଁ ନ ବଞ୍ଚିବି ସଂସାରେ ।
ନ ହେବି ଆଉ ମୁଁ ପୂଝାରୀ, ଯିବି ବାହାରି ଘର,
ବାପ ଜେଜ କୁଳେ କଳଙ୍କ ନ ବୋଳିବି ଏଥର ।
ପୂଜାରୀ ନାମରେ ହେଉଚି ମୋତେ ଦାରୁଣ ଲଜ୍ଜା,
ପୂଜାରୀ ହୋଇବାଠାରୁ ମୁଁ ବରିବି ମୃତ୍ୟୁଶର୍ଯ୍ୟା ।
ଓଡ଼ିଆ ବ୍ରାହ୍ମଣ ପୁଅ ମୁଁ, ଛାଡ଼ିବି ଏ କୁପଥ,
ଦେଶ ବଂଶ ଟେକ ରଖିବି ହୋଇ ସ୍ୱଧର୍ମେ ରତ ।
ଓଡ଼ିଆ କରଣ ପୁଅ ମୁଁ, ପଟ୍ଟନାୟକ ଛୁଆ,
ହାୟ ମୋ’ କପାଳ ବିଦେଶେ ମୁଣ୍ଡରେ ବୋଝବୁହା ।
ସାଆନ୍ତ ଘରର ପିଲା ମୁଁ, କୁଳମାନ ହରାଇ
କୁଲିକାମ କରି ଜୀବନ ହେଉଅଛି ବିତାଇ ।
ମୋ’ ବାପ ଦାଦିର କୀରତି କଥା ନୋହିବ କହି,
କାବ୍ୟକବିତାର ଖଣି ସେ, ଲେଖିଲେ ନାନା ବହି ।
ଆମ କୁଳେ ବିଦ୍ୟା ବରଚା, ମନ୍ତ୍ରୀ, କିରାଣୀ କାମ,
ଆଜ ଅପାଠୁଆ ଆମେ ତ, ହେଲୁଁ ପର ଗୋଲାମ ।
ପାଠଶାଠ ଚତୁରତାରେ କରଣୁ କେ ଅଧିକ,
ପାତ୍ରମନ୍ତ୍ରୀ ଥିଲୁଁ ରଜାର ଗନ୍ତାଘର ମାଲିକ ।
ଧନ ଦରବରେ ଆମର ଉଚ୍ଛୁଳୁଥିଲା ଘର,
ପୋଡ଼ି ଜଳି ଗଲା ସେ ଘର, ଟଙ୍କା ଦଶ ପନ୍ଦର
ଜୀବନସମ୍ୱଳ ଏବେ ତ, ସେ ମହାନ୍ତିପଣିଆ ।
ଗଳ୍ପମାତ୍ର ଆମ ପାଇଁକି, ଆମେ ହୀନ ମୁଲିଆ ।
ଗଜପତି ରଜା ମୂଲକ ଦୂର ଦରିଆ ସରି
ନବ କୋଟି କର୍ଣ୍ଣାଟକର ଶାସନଦଣ୍ଡ ଧରି ।
ଆମେ ଥିଲୁଁ ତାଙ୍କ ମନ୍ତ୍ରଣାଦାତା, ସୁପରାମର୍ଶେ,
ଦେଶ ସ୍ୱାଧିନତା ରଖିଲୁଁ ଟେକ ଭାରତବର୍ଷେ ।
ରାୟ ରାମାନନ୍ଦ ଥିଲେ ସେ ଆମରି ଜାତି ଭାଇ,
ରାଜ ମହୀନ୍ଦ୍ରିରେ ଶାସନକାର୍ଯ୍ୟ ଥିଲେ ଚଳାଇ ।
ଆଜି କାହିଁ ଆମ ସାଆନ୍ତ ଢମ, ମାହାନ୍ତି ଶାଠ,
ଆଜି କାହିଁ ଆମ ଶାସନକଳା, କବିତା ପାଠ ?
ଆମେ କରି ହୀନ ମୂଲିଆପଣ କୁଳଧରମ
ଏକାବେଳେ ଦେଲୁଁ ବୁଡ଼ାଇ, ଧିକ ଆମ କରମ ।
ଭୋକେ ପଛେ ଘରେ ମରିବି, ଆଉ ନ ହେବି କୁଲି,
ନ ସାରିବି ବଂଶଗୌରବ ଆଉ ବିଦେଶ ବୁଲି ।
କରଣ ମହାନ୍ତି ସନ୍ତାନ ସାଆନ୍ତପୁଅଙ୍କର
ହାକିମାତି ସିନା କରିବା ଆମ ପାଇଁ ସୁନ୍ଦର ।
ନ ରହିବି ଆଉ ବିଦେଶେ, ଯିବି ମୁଁ ଫେରି ଘର,
ଉଚ୍ଚ ପଦ ମାନ ଲଭିବି ବିଦ୍ୟା ପଢ଼ି ଏଥର ।
ମୋ’ ବୁଦ୍ଧିବଳେ ମୋ’ ଦେଶର ରଖିବି ସନମାନ,
ମୋ’ ଜ୍ଞାନବଳେ ମୋ’ ଦେଶର ବଢ଼ିବ ଧନମାନ ।
ମୁଁ ପୁଣି କିପାଇଁ ବିଦେଶେ କରିବି କୁଲିଗିରି,
ଦଶ ବାର ଟଙ୍କା ପାଇଁ ଏ ଗୋଲାମର ଚାକିରୀ ?
କେତେ ବଡ଼ ଘର ପୁଅ ମୁଁ, ପେଟ ପାଇଁକି ଛାର
ନ ଛାଡ଼ିବି ଆଉ କେବେ ମୁଁ ମୋ କୁଳ ଅହଂକାର ।
ଆସିବି ଯଦି ବା ବିଦେଶ ଆସିବି ବଡ଼ କାମେ,
ହାକିମ, ଡାକ୍ତର, ମାଷ୍ଟର ଅବା ବିଦ୍ୟାର୍ଥୀ ନାମେ ।
ନୋହିଲେ ରହିବି ଦେଶରେ ଗରିବ ଅବା ଧନୀ,
ମୋ’ ଲାଗି ନ ପାଇ ଲାଞ୍ଜନା ଜନ୍ମଭୂମି ଜନନୀ ।
ସାଆନ୍ତ ଘରର ପୁଅ ମୁଁ, କୁଳଶ୍ରେଷ୍ଠ କରଣ,
ଯିବି ଫେରି ନିଶ୍ଚେ ସ୍ୱଦେଶେ ଏ ମୋ’ ଜୀବନପଣ ।
ଖଣ୍ଡାଏତ ଘର ପୁଅ ମୁଁ, ପାଇକ ବଂଶଧର,
ଶୋଭୁଥିଲା ଆମ ହାତରେ ଧନୁଶର ସୁନ୍ଦର ।
ଆମ ବାପା ଜେଜ କୀରତି ଅତୁଳ ସେ ଜଗତେ,
ଆଜି ଆମେ ଭୁଲି ମୂଳିଆ,
କେ ଯିବ ୟା ପରତେ ?
ସାରା ଦେଶଟାକୁ ଶତ୍ରୁର କବଳରୁ ବଞ୍ଚାଇ
ରଖିଥିଲୁଁ ଆମେ ଡରାଇ ତୀକ୍ଷ୍ଣ ଖଣ୍ଡା ଉଞ୍ଚାଇ ।
ହାୟ ସେ ଖଣ୍ଡାରେ ଖେଳିବା, ଲାଛିବା ଧନୁଶର,
ଘୋଡ଼ାରେ ଚଢ଼ିବା ଭୁଲିଚୁଁ,
ଆଜି ଆମେ କିଙ୍କର ।
ଯେଉଁ କ୍ଷତ୍ରୀଙ୍କର ନାମରେ କମ୍ପୁଥିଲା ଧରଣୀ,
ବିଲୁଆଟା ଦେଖି ଡରିଲୁଁ, ଧିକ ଆମ କରଣି ।
ଆମ ବାହାସ୍ପୋଟ ଶୁଣି କା କମ୍ପୁ ନ ଥିଲା ଛାତି,
ଓଲଟାଉଥିଲୁଁ ରାଇଜ ଯୁଦ୍ଧରେ ଗଲେ ମାତି ।
କିନ୍ତୁ ଆଜି ହାୟ ଦି’କଡ଼ା ନୁହଇ ଆମ ମୂଲ,
ଦେହେ ଚିରାକନା ଝୁଲୁଚି,
ପେଟ ଭୋକେ ଆକୁଳ ।
ଦଳ ଦଳ ହୋଇ କରୁଛୁଁ ବିଦେଶେ କୁଲିପଣ,
ନାନା ପାପ ଅପକରମେ ସାରିଲୁଣି ଜୀବନ ।
ଆମ ପ୍ରାଣେ ଲଜ୍ଜା ସରମ ଜ୍ଞାନ ରହିଲା ନାହିଁ,
ଯାହା କମାଇଲୁଁ ବିଳାସେ ଦେଲୁଁ ସବୁ ଉଡ଼ାଇ ।
ବସିଚି ମୁଁ ବଡ଼ ଭାଳେଣି କି କରିବି ଏଥର,
ଏଡ଼େ ବଡ଼ ଘର ପୁଅ ମୁଁ,
ନ ହେବି କା ଚାକର ।
ଗୋଲାମି ପେଶାରେ କ୍ଷତ୍ରୀର ପୁଅ ବଞ୍ଚିବାଠାରୁ
ନାମ ଲୁଚୁ ତାର ମହୀରୁ,
ଯୋଉ ସେ ଏ ସଂସାରୁ ।
ଆମ କୁଳ ଗର୍ବ ଗୌରବ ସ୍ମରି ଆଖିରୁ ପାଣି
ବହିପଡ଼େ ମୋର କିଅର୍ଥେ ବୁକୁରେ କର ହାଣି ।
ଏଡ଼େ ହୀନପଣେ ଜୀବନ ଏ ଦୂର ବିଦେଶରେ
ଆଉ ନ କାଟିବି, କଳଙ୍କ ଲାଗୁଅଛି ବଂଶରେ ।
ବିଦ୍ୟା ଜ୍ଞାନ କାବ୍ୟ କବିତା ସବୁଥିରେ କୁଶଳ
ଥିଲେ ମୋର ପୂର୍ବପୁରୁଷ, ମୁଁ କିପାଇଁ ନିର୍ବଳ ?
ଫେରିଯିବି ଘର ଓଡ଼ିଶା, ମୋ’ ନିଜ କୁଡ଼ିଆରେ
ନିଜ ବୁଦ୍ଧିବଳେ ବଞ୍ଚିବି ମଣିଷପଣିଆରେ ।
ବାହୁବଳ କରି ସାଧନା ରଖିବି ଦେଶ ଟେକ,
ନ ଡରିବି ତିଳେ କାହାକୁ ହାଣ ଖାଉ ଏ ବେକ ।
ଶିଖ ରାଜପୁତ ପଠାଣ ରହିଲେ ସୈନ୍ୟଦଳେ,
ଓଡ଼ିଶା ପାଇକ ପୁଅ କି ଉଣା ମୁଁ ବାହୁବଳେ ?
ମୋ’ ବାହୁବଳରେ ଦେଶର ବଢ଼ାଇବି ଗୌରବ,
ମୋ ବାହୁବଳରେ ବ୍ୟାପିବ
ଭବେ ଖ୍ୟାତି ସୌରଭ ।
ଜନନୀ ଜନମଭୂମିର ମୋ’ କର୍ତ୍ତବ୍ୟ ପରମ,
ଦେଶରେ ରହିବି ଆନନ୍ଦେ ପାଳି କ୍ଷତ୍ରୀ ଧରମ ।
ପବିତ୍ର ଗୋପାଳ ସନ୍ତାନ ନନ୍ଦକୁମାର ମୁହିଁ,
ଅମୃତ ଗୋରସେ କିପରି ପୁଣ୍ୟ ଓଡ଼ିଶା ଭୂଇଁ
ପାଳୁଥିଲେ ସବୁ ପ୍ରଜାଙ୍କୁ ଅମୃତ କୁଣ୍ଡକରେ,
ଆଜି ମୁଁ ବିଦେଶେ ପଡ଼ିଚି ହୀନ କୁଲିକାମରେ ।
ଗୋ-ସେବା ନ କରି ଆଜି ମୁଁ ସେବା କରେଁ କଳର,
କଳ କାମ କରି ଶେଷରେ ହେଲି କୁଲି, କିଙ୍କର।
କୁଲିନାମେ କେଡ଼େ ଲଜ୍ଜିତ ମୁଁ ଯେ ସ୍ୱାଧୀନକର୍ମା
ପଡ଼ିଚି ଏ କଲିକତାରେ, ଦି’ଗଣ୍ଡା ଟଙ୍କା ଦର୍ମା
ପେଟକୁ ଦେହକୁ ନିଅଣ୍ଟ, ପରିବାର ପୋଷଣେ
ଚିର ଅସମର୍ଥ ହେଲି ମୁଁ, ସୁଖ ନାହିଁ ଜୀବନେ ।
ଘରେ ଯେତେ ଗୋରୁ ବାଛୁରି ସବୁ ହେଲେଣି ହଡ଼ା,
ନ ମିଳଇ ପେଜ ତୋରାଣି କୁଣ୍ଡା ଘାସ କି ନଡ଼ା ।
ମୋ କରମ ଅବଳକୁ ଏ ଦଶା ଆସିଲା ମାଡ଼ି,
ଆସିଚି ଘରେ ମୁଁ ଏକାକୀ ପିଲା କବିଲା ଛାଡ଼ି ।
ବିଦେଶରେ ମୁଣ୍ଡେ ମୋହର କୁଲ କାମର ଠିକା,
ତାଙ୍କ ଦେଖାଶୁଣା ପାଇଁକି ଦୈବ ଭରସା ଏକା ।
ବସ୍ତା ବୋହି ମାଲ ବୋଝାଇ ଜାହାଜରେ କରଇଁ,
ବୋଝ ଲଦି ଲଦି ପିଠିରେ ଅଣ୍ଟା ଗଲାଣି ନଇଁ ।
ଧିକ ୟା’ପାଇଁକି ଜନମ ଲଭିଥିଲି ସଂସାରେ
ପବିତ୍ର ଗୋପାଳ କୁଳରେ, ନିତି ଦୁଃଖେ ବିଚାରେ ।
ଆମ ହାତେ ପାଣି ଖାଆନ୍ତି ସବୁ ଜାତି ପାଟକ,
ଜଗତ ପାଳନ-କରତା ଗୋମାତାର ସେବକ ।
ଗୋମାତାକୁ ଅବହେଳି ମୁଁ ଆସି ଦୂର ଦେଶରେ
କୁଲି କାମ କରି ମରୁଛି, ନାଶ କୁଟୁମ୍ୱ ଘରେ ।
ପଇସା ପତର ଯା’ କିଛି କଲି ବା ରୋଜଗାର,
ମେଳା ମଉଛବେ ସାରିଲି, ନରକର ଦୁଆର-
କତି ମୋ’ ପାଇଁକି, ଅଧମ ଅତି ଗର୍ହିତ କର୍ମ
କରି କରି ଭୁଲିଗଲିଣି ମାନ ମହତ ଧର୍ମ ।
ଏ ସତ୍ୟାନାଶିଆ ଗୋଲାମି କାମ ଛାଡ଼ି ଏଥର
ଗୋପାଳର ପୁଅ ଭଲେ ମୁଁ ଫେରିଯିବି ସ୍ୱ ଘର ।
ନିଜ କୁଳ ବ୍ୟବସାୟରେ ଅରଜିବି ଯେ ଧନ,
ସ୍ୱାଧୀନ ସୁଖରେ କାଟିବି ମଧୁମୟ ଜୀବନ ।
ସାହୁକାର ଘର ପୁଅ ମୁଁ, ବେପାର ବଣିଜରୁ
ସଞ୍ଜେ ଆଣି ଧନଦରବ ରାଇଜରାଇଜରୁ ।
ଆମ କୁଳେ ଲକ୍ଷ୍ମୀ ଅବଳା, ଆମେ ଧନର ପତି,
କେତେ ମଠବାଡ଼ି ମନ୍ଦିରେ ଖଞ୍ଜା କୋଠସମ୍ପତ୍ତି ।
ଆମ ଯୋଗୁ ଆମ ଦେଶର ବଢ଼େ ଶିରୀସମ୍ପଦ,
ମହାଜନ ଘର ପୁଅ ମୁଁ ସେବିବି କାହା ପଦ ?
କିନ୍ତୁ ଆଜି କେଡ଼େ ଦୁର୍ଗତି ସେ କୁଳେ ଜନ୍ମ ପାଇ
ବୋଝ ବୋହି ପେଟବିକଳେ କୁଲି କାମ ବୋଲାଇ
ଜାହାଜରେ ଯେବେ ମାଲ ମୁଁ ଲଦେ, ମୁଣ୍ଡେ ମୁଣ୍ଡାଇ,
ଅତୀତ ମୋ ଆଖି ଆଗରେ ଆସେ ରଙ୍ଗ ଦେଖାଇ ।
କେତେ କଥା ପଡ଼େ ମନେ ଟି ପୂର୍ବପୁରୁଷ କଥା,
ଛାତି ଫାଟିପଡ଼େ, ପଥର ହେଲେ ପାଆନ୍ତା ବ୍ୟଥା ।
ଆମ ବାପା ସା’ନ୍ତାବାପର କୀର୍ତ୍ତି ଜଗତ ଜିଣି,
ଦୂର ମୂଲକରୁ ଆଣନ୍ତି ଲକ୍ଷ୍ମୀଭଣ୍ଡାର କିଣି
ସପତ ସାଗରେ ବୋଇତ, ଚାନ୍ଦ ସଉଦାଗର,
ଲକ୍ଷ୍ମୀଧର କଥା ଶୁଣିଚ, ପୁଣି ସାଧବଙ୍କର
ବୋଇତ ପହଞ୍ଚି ଛୁଇଁଲେ ନଦୀ ମୁଣ୍ଡ ମୁହାଣ,
ସାଧବବୋହୂଙ୍କ ଶରଧା, ବୋଇତର ବନ୍ଦାଣ,
ହୁଳହୁଳି, ସୁନାଥାଳୀରେ ଅର୍ଘ୍ୟଦୀପ ଜଳାଇ
ମଙ୍ଗଳ ମନାସ, ଆନନ୍ଦ ପତି ପୁଅଙ୍କ ପାଇଁ ।
ଘରେ ଘରେ ଆମ କାହାଣୀ ଜେଜେମାଆ ମୁଖରେ
ସଞ୍ଜବେଳେ ବସି ପିଣ୍ଡାରେ ଶୁଣେ ଶିଶୁ ଆଦରେ ।
ସେ ଶିଶୁ ସତେ କି ଜାଣଇ କି ଜାଣଇ ସେହି ବୋଇତ ବାହି
ସାଧବର ପୁଅ ମଲାଣି, ଅଛିପୂର୍ବ ବଡ଼ାଇ ।
ଖାଇବାକୁ ପାଏ ନାହିଁ ସେ ପେଟ ଭରି ମୁଠାଏ,
ଧିକ ଏ ଜୀବନ ନ ଯାଇ ରହିବୁ ଆଜିଯାଏ !
ସୁନା ମାଣିକରେ ଅନ୍ଧାର ଘର ଉଜ୍ଜ୍ୱଳ ଯା’ର
ଯା’ର ଗନ୍ତାଘର ଅମପା ଅସରନ୍ତା ଭଣ୍ଡାର ।
ସେହି ସାଧବାଣୀ ଦେହର ଚିରା କନାର ଧଡ଼ି,
କାନ୍ଦେ ପତି ପୁଅ ବିହୁନେ ଅନ୍ଧାର କୋଣେ ପଡ଼ି ।
ପତି ପୁଅ ଆଜି ତାହାର ବିଦେଶରେ ମୂଲିଆ,
ମହାଜନ କୁଳନନ୍ଦନ ପର ପାଦତଳିଆ ।
ପରର ଫଜିତ ଗାଳିରେ ପେଟ ପୂରେ ତାଙ୍କର,
ସାରିଲେ ଇଜ୍ଜତ ମହତ ହୋଇ ରଙ୍କ ଇତର ।
ଚାକିରୀ କରିବା ଯେ କୁଳେ ମହାପାପ ଅଧର୍ମ,
ବିଦେଶେ ଏବେ ସେ ହୁଡ଼ିତ ଗଲେଣି ଧର୍ମକର୍ମ ।
ଛି, ଛି, ମୁଁ ଓଡ଼ିଆ ସାଧବପୁଅ ହୋଇ ଏଥର
କେବେ ନ ହେବିଟି ମୂଲିଆ ସେବାକାରି ଚାକର ।
ଚେତନା ପାଇଲି ଯଥେଷ୍ଟ, ଯିବି ଫେରି ମୁଁ ଘରେ,
ମୋ ନିଜ ଗୋଡ଼ରେ ଛିଡ଼ା ମୁଁ ହେବି ବ୍ୟବସାୟରେ ।
ବାଣିଜ୍ୟେ ଲକ୍ଷ୍ମୀର ନିବାସ, ମୁଁ ତ ଲକ୍ଷ୍ମୀସନ୍ତାନ,
କରି ନାନା ଫନ୍ଦି ଫିକର ହୋଇବି ଧନବାନ ।
ମୋ’ ଦେଇ ବଢ଼ିବ ଦେଶର ଧନ ମାନ ସମ୍ମାନ,
କାହାକୁ ଚାହିଁବ ମୋ’ ଦେଶ ହେବି ଯଦି ଗୋଲାମ ?
ମୁଁ ଆଜି ମୂଲିଆ ବୋଲି ତ ମୋ’ ଦେଶ କଙ୍ଗାଳୁଣୀ,
ରାଣୀ ପଦେ ଥିଲେ ଯେ ଏବେ ଜଗତେ ଭିକାରୁଣୀ ।
ନାହିଁ ନାହିଁ, ଆଉ ଦଣ୍ଡେ ମୁଁ ନ ରହିବି ବିଦେଶେ,
ସୁନାରୂପା ଧାନ ଚାଉଳ ଉପୁଜାଇବି ଦେଶେ ।
ମେଳ ବାନ୍ଧି ବ୍ୟବସାୟରେ ମନ ଦେବି ଏଥର,
ପାଞ୍ଚ ଭାଇ ମିଳି ଏକାଠି ସୁଖେ କରିବୁଁ ଘର ।
ଦେଶ ବିଦେଶରେ ବଣିଜ କରି ହେବେ ମଣିଷ,
ସାଧବ ଘରର ପୁଅକୁ ପର ଖଟଣୀ ବିଷ ।
ମୁଣ୍ଡ ପଛେ କଟିଯାଉ ମୁଁ ନ ହେବି କ ଗୋଲାମ,
ସାହୁକାର ଘର ପୁଅର ଶୋଭା ଲକ୍ଷ୍ମୀଦୋକାନ ।
ବୈଶ୍ୟ ପୁଅ ହୋଇ କା’ଦିଶେ ନ ରହିବ ସେ ଆଉ,
ଛାଡ଼ିବ ଏ ଭୁଲିକାମକୁ ଜୀବନ ପଛେ ଯାଉ ।
ପଇସାରେ ପୋଡ଼ି ପଇସା ବଢ଼ାଇବି ବେପାର,
ବନାଇବି ବଡ଼ ଦୋକାନ ବୋଲାଇ ସାହୁକାର ।
କାରିଗର ଘର ପୁଅ ମୁଁ ଶିଳ୍ପ ଶାସ୍ତ୍ରେ ପଣ୍ଡିତ,
ମିସ୍ତ୍ରୀ ବୋଲି ନାମ ବିଖ୍ୟାତ ଜଗତରେ ବିଦିତ ।
ମୋ ନିହାଣ ବାରସିରେ ମୁଁ ଲୁହାକୁ କଲି ଗୁଣ୍ଡ,
ଗଢ଼ିଲି ଗଗନପରଶୀ କେତେ ମନ୍ଦିର ମୁଣ୍ଡ ।
ପଥର ଦେହରେ ପଥର ଘଷି ବନ୍ଧରଚନା
କରିଚି ଦେଖି ଯା ହୁଅଇ ବଣା ଲୋକକଳ୍ପନା ।
ମନ୍ଦିର ମାଳରେ ଓଡ଼ିଶାଖଣ୍ଡ ଦେଇଚି ଭରି,
ବିସ୍ମୟେ ବିଦେଶୀ ପରଖେ ଶିଳ୍ପକଳା କିପରି ।
ହାୟ କି ଦୁଃଖ ମୋ କପାଳେ ଆଜି ମୁଁ ହୀନକର୍ମ୍ମା
ପିତା ପରା ମୋର ଜଗତେ ବୋଲାନ୍ତି ବିଶ୍ୱକର୍ମା ।
ବିଶ୍ୱକର୍ମ୍ମା ପୁଅ ହୋଇ ମୁଁ ବୁଲେ ବିଶ୍ୱଦାଣ୍ଡରେ
ଦି’ ଗଣ୍ଡା ପଇସା ପାଇଁକି ବୋଝ ବୋହି ମୁଣ୍ଡରେ ।
କାହିଁ ମୋର ଶିଳ୍ପଗୌରବ, ହାତୁଡ଼ି ଗଲା ହଜି,
ବିଦେଶେ ପଡ଼ିଚି କୁଲି ମୁଁ ନାନା କୁକର୍ମେ ମଜ୍ଜି ।
ଘରେ ମୋର ପୁଅଝିଅଙ୍କୁ ନ ମିଳେ ଦାନାକନା,
ଯା କମାଏଁ ମୋତେ ନିଅଣ୍ଟ, ତହିଁ କର୍ଜ ଭାବନା ।
ଆଉ କି କୂଳରେ ଧରମପଦ ପୁଅ ଅଛନ୍ତି,
ବାପ କାହିଁ ବୋଲି ଦିନେ ସେ ଭୁଲରେ ପଚାରନ୍ତି ?
ବାପ କାହିଁ, ବାପ ବିଦେଶେ ମଣିଷରେ ଅଧମ,
ବୋଝ ବୋହି ଗାଳିମାଡ଼ରେ ସରିଲାଣି ସରମ ।
କାଠ ପଥରଠୁ ବଳି ଏ ଦେହ ହେଲାଣି ଟାଣ,
ଏକାବେଳେ ଭୁଲିଗଲାଣି ବଂଶର ଖ୍ୟାତିମାନ ।
ସାତ ପୁରୁଷରେ ଆମର ନ ଥିଲେ କେ ଚାକର,
ବୁଡ଼ିଗଲା କୁଳବେଉସା, ଆମେ ତ ହରବର ।
ନାହାନ୍ତି ଓଡ଼ିଶା ରଜା ସେ ପ୍ରତାପୀ ଗଜପତି,
ଆମକୁ ଆଉକେ ପଚାରେ, ଘରେ ନ ଜଳେ ବତୀ ।
ବଡ଼ ଦୁଃଖେ ପଡ଼ି ବିଦେଶେ କୁଲିଗିରୀ କରିଲୁଁ,
ବଡ଼ ବିକଳରେ ନିଜର ସନମାନ ସାରିଲୁଁ ।
ଦୁଃଖେ ଫାଟେ ମୋର କଲିଜା, ନ କରିବି ଏ କାମ,
କାରିଗର ଘର ପୁଅ ମୁଁ ନହେବି କା ଗୋଲାମ ।
ନିଜ କାରିଗିରୀ ଖ୍ୟାତିରେ ରଖିବି ଦେଶମାନ,
ମୋ’ ଯୋଗୁଁ ମୋ’ ଜନ୍ମଭୂମିଟି ଲଭୁ ବହୁ ସମ୍ମାନ ।
ଓଡ଼ିଆ ଶିଳ୍ପୀର ଗୁଣରେ ମୁଗ୍ଧ ଜଗତଯାକ,
ମୁଁ ପୁଣି ଗୋଲାମି କରି କି ତଳେ ଘଷିବି ନାକ !
ନାହିଁ, ନାହିଁ, ଆଉ ଗୋଲାମି ନ କରିବି ଜୀବନେ,
ଫେରିଯିବି ଏବେ ସ୍ୱଦେଶେ, ଯା’ଥିବ ମୋ’ କରମେ ।
କୃଷକ ଘରର ପୁଅ ମୁଁ ଚାଷ ମୋ ବ୍ୟବସାୟ,
ମୋ ବିନା ଅଛି କି ଜଗତେ କା ବଞ୍ଚିବା ଉପାୟ ?
ସୁନ୍ଦର ଶାଗୁଆ କ୍ଷେତରେ ଧାନ, ମୁଗ, ଗହମ
ପାଚିଲା କିଆରୀ ଦେଖିଲେ ଉଲ୍ଲସିତ ମରମ ।
ମୋ ହଳ ଲଙ୍ଗଳ ଫାନ୍ଦରେ କମଳାଙ୍କ ନିବାସ,
ଚାଷ ଅଛି ଘରେ ଯାହାର ଦେଶେ ତାହାରି ବାସ ।
କିନ୍ତୁ ଆଜି କାହିଁ ମୋ ବାସ ଏ ଦୂର ବିଦେଶରେ,
ଚାଷ ଛାଡ଼ି କରେଁ ଚାକିରୀ ଥାଇ ପର ବଶରେ ।
ଦଶ ପୁରୁଷରେ ଗୋଲାମ କେହି ନ ଥିଲେ ଜଣେ,
ବସୁଥିଲା ସୁନା କଳସ ଧାନ ଲକ୍ଷ ଭରଣେ ।
ସେ ଲକ୍ଷ ଭରଣ କଥା ତ ସପନର କାହାଣୀ,
ଚାଷ ଜମି ମାଣେ ନାହିଁଟି, ଘରେ ପାଞ୍ଚ ପରାଣୀ
ମରୁଥିବେ ଭୋକ ଉପାସେ, ମୁଁ ଦୂର ବିଦେଶରେ,
ମୋ କମେଇ ମୋତେ ନିଅଣ୍ଟ, ଦିନ କାଟେଁ କଷ୍ଟରେ ।
ବିଲର ଖଜଣା ଲାଗି ମୁଁ ଥାଳୀ କଂସା ବିକିଲି,
ବୁଢ଼ା ହଡ଼ା ବିକି ସାହୁର ସୁଧମୂଳ ଶୁଝିଲି ।
ଭାରିଯା ହାତର ଖଡ଼ୁକୁ ବନ୍ଧା ପକାଇ ଆଣି
ଟଙ୍କା ଦଶଟାରେ ଚଢ଼ିଲି ପିଇ ପେଜ ତୋରାଣି ।
ଆଖର ମୋ’ଘରେ ରହିଲା ନାହିଁ ଫଟା କଉଡ଼ି,
ଭାବିଲି ଏଥର ଗଳାରେ ଦେବି ଅବା ଦଉଡ଼ି ।
ସେହି ସମୟରେ ଗୋବିନ୍ଦା ଆସିଲା କଲିକତା,
କଲିକତା ରୋଜଗାରର କହିଲା କେତେ କଥା ।
ତା’ କଥାରେ ସିନା ବାହାରି ଅଇଲି ମୂର୍ଖପଣେ,
ଆଜି କିଏ ଅଛି ଜଗତେ ମୋ’ ଭଳି ଦୁଃଖୀ ଜଣେ !
ବୋଝ ବୋହି ବୋହି ମୋହର ପିଠି ଗଲାଣି ଫାଟି,
ମାଡ଼ ଗାଳି ଭୋକେ ଗଲାଣି ଶୁଖି ପଞ୍ଜରା କାଠି ।
ଘରକୁ ପଠାଇ ଅଧିକ, ଅଧିକ କମେଇରେ
ଦିନେ କାଟେଁ, କିଛି ଉଡ଼ାଏଁ ଅଫିମ ଗଞ୍ଜେଇରେ ।
ମୋର ଯେତେ ସଙ୍ଗୀ ସଙ୍ଗାତ ସର୍ବେ ଧରମହୁଡ଼ା,
ନାନା ମନ୍ଦ କର୍ମ କରି ସେ ସହଜେ କୁଳବୁଡ଼ା ।
ତାଙ୍କ ସଙ୍ଗେ ପଡ଼ି ଦୁଷ୍କାର୍ଯ୍ୟେ ଯାଉଛି ଦିନରାତି,
ଥରେ ଥରେ ନିଜ ଦୁର୍ଦଶା ଭାବି ବିଦାରେ ଛାତି ।
ହା ଅନ୍ନ ହା ଅନ୍ନ କରି ମୁଁ ବିଦେଶେ କେତେକାଳ
ନରକର କୁଣ୍ଡ ଘାଟିବି ନିନ୍ଦୁଥିବି କପାଳ !
କୃଷକ ଘରର ପୁଅ ମୁଁ ଚାଷ କରି ବଞ୍ଚିବି,
କୁଲି କାମ କରି ବିଦେଶେ କିମ୍ପା ମୁଣ୍ଡ ଗୁଞ୍ଜିବି ?
ନିଜ ସୁନା ଖଳା ଭୂଇଁକି ଫେରିଯିବି ଏଥର,
ଚାଷବାସ କରି ସୁଖରେ କରିବି ପୁଣି ଘର ।
ଜନନୀ ଜନମଭୂଇଁ ତ ସ୍ୱର୍ଗୁ ବଳି ମହାନ,
ସେହି ମାଟି ମୋର ସମ୍ପତ୍ତି ମୁଁ ତା ପ୍ରିୟ ସନ୍ତାନ ।
ମୋହରି ଲଙ୍ଗଳ ଫାଳରେ ଲକ୍ଷ୍ମୀ କରିବେ ଘର,
ଅମାର ଅମାର ଧାନରେ ପୂରିଯିବ ଏଥର ।
କୁଲିଗିରି କରି ଦେଶକୁ ଆଉ ନ ଦେବି ଲଜ୍ଜା,
କୁଲିଗିରି କଲେ ଏଥର ଘେନିବି ମାଟିଶଯ୍ୟା
ପଛେ ସେ ମାଟିର ଶେଯରେ ହାଡ଼ ମୋ’ ମିଶିଯାଉ,
ତଥାପି ଓଡ଼ିଆ ଭୂଇଁର ଟେକ ଜଗତେ ଥାଉ ।
ଓଡ଼ିଆ ଚଷାର ପୁଅ ମୁଁ, ମୁଁ ତ ମାଟିସେବକ,
ମୋହରି ବଳିଷ୍ଠ ବାହୁରେ ନିତି ପ୍ରଜାପାଳକ ।
ଦରିଦ୍ର ବୋଲି ମୁଁ ମୋ’ ଦେଶ ଦରିଦ୍ର ବୋଲାଇଛି,
ମାଟିକୁ କରିବି ସୁନା ମୁଁ ମନେ ଆଣ୍ଟ ବାନ୍ଧିଛି ।
ତନ୍ତୀ ଘର ପୁଅ ମୋ’ ହାତେ କାଟଇ ସରୁ ସୁତା,
ନାନା ରଙ୍ଗ ଦେଇ ଧାଡ଼ିରେ କରଇ ଫୁଲ ଗୁନ୍ଥା ।
କୁମ୍ଭପକା ଶାଢ଼ୀ ମାଣିଆବନ୍ଦୀ ମଠା ପାଟରେ
ଭରିଦିଏଁ ପେଡ଼ି ପେଟରୀ ପତନୀ ପୀତାମ୍ୱରେ ।
ଏଡ଼େ ସୂକ୍ଷ୍ମ ସୂତା କାଟଇ ମୋ’ ଦକ୍ଷ ଅଙ୍ଗୁଳିରେ,
ଷୋଳ ହାତ ଶାଢ଼ୀ ରହିବ ବାଉଁଶର ନଳୀରେ ।
ସୁରବଲ୍ଲୀ ଶାଢ଼ୀ ପିନ୍ଧିଣ ଦେବକନ୍ୟା ଉଲ୍ଲାସ,
ପଖାଳକରିଆ ପିନ୍ଧନ୍ତି ନାରୀଏ ବାରମାସ ।
ରଙ୍ଗ କସ୍ତା ଧୋତି ଗାମୁଛା ବିକେଁ ସଦା ହାଟରେ,
ମୋ’ କଟା ସୂତାର ଚାଦର ଚିତ୍ତେ ସିନା କଷ୍ଟରେ ।
ତଥାପି ହରାଇ ବସିଲି ମୋର ମାନ ମହତ,
ବିଦେଶୀ ପିନ୍ଧି ଯେ ସରବେ ସାରିଲେଣି ଇଜ୍ଜତ ।
ଏବେ ବିଦେଶରେ କରୁଚି ଲୁଗାକଳରେ କାମ,
ମୋ ନିଜ ତନ୍ତକୁ ଛାଡ଼ି ମୁଁ ପର ଘର ଗୋଲାମ ।
ପଠି ଆବୁ ଆବୁ ହେଲାଣି ଲୁଗା ବୁକୁତା ବହି
ଦୁଇ ଗଣ୍ଡା ଟଙ୍କା ସକାଶେ ବାର ଗଞ୍ଜଣା ସହି
ଦିନ ଯାଏ ମୋର ଦୁଃଖରେ, କରିଥିଲି କି ପାପ,
ଦୂର ବିଦେଶରେ ମୂଲିଆ, ଦେଶରେ ଅଭିଶାପ ।
ରାଣୀମାନେ ପିନ୍ଧୁଥିଲେ ମୋ’ ଝୀନ ବସନ ସୁଖେ,
ଆଜ ସେହି ତନ୍ତୀ ଲଙ୍ଗଳା, ଆହାର ନାହିଁ ମୁଖେ ।
ଏଡ଼େ ହୀନସ୍ତାରେ ଜୀବନ ରହିଅଛି ଟି ଧରି,
କୋହ ଉଠୁଅଛି ଛାତିରେ ପୂର୍ବ କଥା ସୁମରି ।
ଧନଦରବରେ ମୋହର ପୂରିଥିଲା ଭଣ୍ଡାର,
ଆଜି ମୋ’ ପିଲାଏ ଭୋକରେ କରନ୍ତି ହାହାକାର ।
କି ଲାଭ ବିଦେଶ ଚାକିରୀ ପେଟ ପୂରିଲା ନାହିଁ,
ଧରିବି ଅରଟ ଏଥର ଦେଶକୁ ଫେରିଯାଇ ।
ଅରଟ ସୂତାରେ ମୁକତି ଦେଶର ସୁନିଶ୍ଚୟ,
ଖଦଡ଼ ପିନ୍ଧିଲେ ଦେଶରୁ ଯିବ ଗୋଲାମ ଭୟ ।
କୋଟି କୋଟି ଟଙ୍କା ବିଦେଶୀ ଲୁଗା ପଛେ ଉଡ଼ାଇ
ମରୁଚୁଁ ଅକାଳେ ଆମେ ତ ଅନ୍ନବସ୍ତ୍ର ନ ପାଇ ।
ଧିକ କୁଲିଗିରି ଆଉ ମୁଁ ନ କରିବି କଦାପି,
ଦେଶ ମାଆ ନାଆଁ ରଖିବି ଘରେ ଅରଟ ଥାପି ।
ସ୍ୱଦେଶୀରେ ମୋର ଗରବ, ସ୍ୱଦେଶୀ ଲୁଗା ବୁଣୀ
ଓଡ଼ିଶାର ଶିରୀ ଫେରାଇ ନିଶ୍ଚେ ଆଣିବି ପୁଣି ।
ତନ୍ତୀଘର ପୁଅ ନୁହେ ମୁଁ କେଉଁ ଗୁଣରେ ଉଣା,
ଜାଣିଚି ଯେ ନିଜ ହାତରେ ସୁନ୍ଦର ଲୁଗା ବୁଣା ।
ଲୁଗା ବୁଣି ଲୁଗା ବିକିବି, ଅର୍ଜିବି ଧନ ମାନ,
ଯିବି ଫେରି ଦେଶେ ଏଥର,
ନ ହେବ କା’ ଗୋଲାମ ।
ଆଜି ଏଠି ଯେତେ ଓଡ଼ିଆପୁଅ ଅଛୁଁ ସମସ୍ତେ
କୁଲିଗିରି ପାଦେ ଜୁହାର କରୁଁ କୋଟି ନମସ୍ତେ ।
କୁଲିଗିରି କରି ହୋଇଲୁଁ ପଶୁଠାରୁ ଅଧମ,
ଭୁଲିଗଲୁଁ ମାନ ମହତ, ତେଜିଦେଲୁଁ ସରମ ।
ପଞ୍ଚାନନ ମେଳା, ତ୍ରିନାଥ ମେଳା, ପଶା ପାଳିରେ,
ମଦ ବେଶ୍ୟା ପଛେ ମାତିଲୁଁ ଏ ଅଳ୍ପ କମେଇରେ ।
ଘରେ ପିଲା ଭାର୍ଯ୍ୟା ପୋଷିବାଠାରୁ ମକଦ୍ଦମାରେ
ବରଷେ ବରଷେ ଖରଚ କଲୁଁ ଟଙ୍କା ହଜାରେ ।
ନାହିଁ ମେଳ ଆମ ମଧ୍ୟରେ ଭଲ କଥାଏ ଲାଗି
ଟିକେ ଟିକେ କଳିଗୋଳରେ ଛିଦ୍ର ଖୋଜିଲୁଁ ଜାଗି ।
ପରସ୍ପରେ ତଣ୍ଟି କାଟିଲୁଁ ବିଦେଶେ ଲୋକହସା,
ଫୌଜଦାରୀ ପିଟାପିଟି ତ ହେଲାଣି ଦେହଘୋଷା ।
ଅପମାନ କରି କହିଲେ କେହି ମାଇଲେ ମାଡ଼
ନ ଫୁଟଇ କଥା ତୁଣ୍ଡରେ ଏଡ଼େ ନିଲଜ୍ଜ ହାଡ଼ ।
ନକଲି କାଢ଼ନ୍ତି ବିଦେଶୀ, ଲାଞ୍ଛନା ନାନା ମତେ
ଚାରିଆଡ଼ୁ ପାଇ ପାଇ ଏ ଦେହ ପଥର ସତେ ।
ନିଶାରେ ପଥର କଳିଜା, ନିଶା ଆମ ମଉଜ,
ନିଶା ଲାଗି ଆମେ ବଞ୍ଚିଛୁଁ ହୋଇ ମୂର୍ଖ ଅବୁଝ ।
ଫେରିଯିବୁଁ ନିଜ ଦେଶକୁ, ପାଇଲୁଣି ଚେତନା,
ନିଜ ନିଜ ପେଶା କରିବୁଁ, ନାହିଁ ତହିଁ ଭାବନା ।
ଆମ ଦେଶ ଅତି ସୁନ୍ଦର, ଚିର ଶସ୍ୟଶ୍ୟାମଳା,
ଚାରୁ ବନ-କ୍ଷେତ୍ର-ଶୋଭିତ, ନଦୀ-ଗିରି-ମେଖଳା ।
ଆମ ଦେଶେ ବାର ମାସରେ ଉତ୍ପନ୍ନ ନାନା ଫଳ,
ଆମ୍ୱ, ଲେମ୍ୱୁ, ଜାମୁ, କଦଳୀ, ନାରିକେଳ, ଶ୍ରୀଫଳ ।
ପଣସ, ଡାଳିମ୍ବ, ପିଜୁଳି, ଆତ, ଆଖୁ, ମହୁଲ,
କ୍ଷେତେ ଧାନ, ମୁଗ, ଗହମ, ବଣା, ହରଡ଼ ଠୁଳ ।
କପା, ଶଣ, ଝୋଟ, ଶିମୂଳି, ନଳିତା, ଫେଶୀ, ଜଡ଼ା,
ନାନାଜାତି ପନିପରିବା, ପୋଇ, ପାଳଙ୍ଗ, ଖଡ଼ା ।
ଖାଇ ପିନ୍ଧି ବଡ଼ ମଉଜେ ପାରିବୁଁ ଆମେ ରହି
ଦେହରେ ମିହନ୍ତ କରିଣ ଖରା କାକର ସହି ।
ଏଠି ଏଡ଼େ ହୀନ କଦର୍ଯ୍ୟ ଖଟଣୀ ଦିନରାତି,
ନିଜ ଦେଶେ କିପାଁ ବସିବୁଁ ବ୍ୟର୍ଥ ଅଳସେ ମାତି ?
ଆଳସ୍ୟ ଆମକୁ ସାରିଲା, ଉଦ୍ୟମ ନାହିଁ ଟାଣ,
ଦାଆ ଖଣ୍ଡ ହେବ କଳଙ୍କୀ ଯଦି ନ ଦିଅ ଶାଣ ।
ଆମ ଦେଶ ବନ ପର୍ବତେ ଖନିଜ ଦ୍ରବ୍ୟ ଭରା,
ଲୁହା, ତମ୍ୱା, ହୀରା, କୋଇଲା, ସୁନା, ରୂପା ପସରା
ବିଦେଶୀ ବଣିଆ ବେପାର କଲେ ସେ ସବୁ ନେଇ,
ଆମେ ଗଲୁଁ ପେଟ ବିକଳେ ବିଦେଶକୁ ପଳେଇ ।
ମଣି ମୁକ୍ତା ଲୁଣ କଉଡ଼ି ମାଛ ପୂର୍ଣ୍ଣ ସାଗର-
ଘେରା ଆମ ଦେଶ, କି ଦ୍ରବ୍ରେ ଅଭାବ ଟି ଆମର ?
ହୋଇ ଆମେ କବି, ପଣ୍ଡିତ, ଶିଳ୍ପୀ, କୃଷକ ପୁଅ
ଆମେ ପୁଣି ଦୀନ ଦରିଦ୍ର, ଆମ ଦୋଷ କି ନୁହ ?
ଆଉ ଆମେ ଦଣ୍ଡେ ବିଦେଶେ ନ ରହିବା ଏଥର,
ମଣିଷପଣରେ କରିବୁଁ ନିଜ ଦେଶରେ ଘର ।
ଆମ ଘର ଆମେ ଛାଡ଼ି କି କରିଅଛୁଁ ଅନ୍ୟାୟ,
ଆମ ମା’ ଭଉଣୀ ବୁଲନ୍ତି କରି କୁବ୍ୟବସାୟ ।
ସ୍ୱଦେଶେ ନିଆଶ୍ରୀ ଅର୍କ୍ଷିତ ଖାଇବାକୁ ନ ପାଇ
ଶତ ଶତ ଆମ ଘରଣୀ ବିଦେଶକୁ ପଳାଇ
ଆମ ନାଁ ମାଟିରେ ମିଶାଇ କଳଙ୍କ ବୋଳି କୁଳେ
ଦେଶକୁ ଦେଲେଣି କି ଲଜ୍ଜା, ଆମେ କି ଭାବୁଁ ଭଲେ ।
ଧିକ ଧିକ ଆମ ଜନମ, ଆମ ଲାଗି ଦୁର୍ଗତି
ହେଲାଣି ଦେଶର ଅପାର, ରସାତଳକୁ ଗତି ।
ଏ ସବୁ ଭାବିଣ ମନରେ ଚାଲ ଭାଇ ଏଥର
ଦୃଢ଼ ପଣେ ସର୍ବେ ଉଡ଼ରେ ଫେରିବା ନିଜ ଘର ।
ନିଜ ଘରେ ନିଜ ଦେଶରେ ରହିବା ସନମାନେ,
ଦେଶର କରିବା ଉନ୍ନତି ଦେହ ଜୀବନ ଦାନେ ।
ତା’ ମାଟିରେ ଆମ ଜନମ, ତା’ ମାଟି ତୀର୍ଥ ସ୍ଥାନ,
ଆମ ଜନ୍ମଭୂମି ଓଡ଼ିଶା, ଆମେ ତାର ସନ୍ତାନ ।
ଓଡ଼ିଶା ଆମର ସ୍ୱଦେଶ, ଆମ ମାତା, ଜନନୀ,
ତା’ ଗୌରବ ଜୟ ସଙ୍ଗୀତେ ପୂର୍ଣ୍ଣ ହେଉ ଅବନୀ
ବୋଲ ହରି ବୋଲ ସମସ୍ତେ ହରି ନାମକୁ ଧ୍ୟାୟି
ସ୍ୱଦେଶ ଫେରିବା ଏଥର ଭାଇ ସଙ୍ଗରେ ଭାଇ ।
ଆଖିରୁ କିପାଁ ବହେ ବାରି,
ସୁମରି ସେ ବୀର ନାଉରୀଙ୍କ କଥା
ଦୁଃଖେ କି କଲିଜା ହୁଏ ଘାରି ?
ନୋହିଚି ମଳିନ କଳିଙ୍ଗ ସଇନ,
ବିଜୟ ନିଶାଣ ଛାଉଣୀର ଚିହ୍ନ,
ବାଲି, ବର୍ଣ୍ଣ, ଶ୍ୟାମେ, ମଳୟ ଅନାମେ,
ବ୍ରହ୍ମ ମୁଣ୍ଡେ ଦଣ୍ଡଛତ୍ରଧାରୀ ।
ମଣ୍ଡଳନଗରେ କୌଳାଙ୍ଗକାଙ୍ଗରେ
କରିନ ରାଜ୍ୟରେ ଜାଭା ଘରେ
ଆମରି ଓଡ଼ିଆ ଭାଇ ବସିଛନ୍ତି
ପୂରୁବ ଗୌରବ ଅଧିକାରୀ ।
ଟାଣୁଆ ଓଡ଼ିଆ, କିଣିଲୁ ଦରିଆ,
କଲୁ କାରିଗରୀ ପଥରରେ ଠିଆ,
ତୋର ଚକ୍ରବର୍ତ୍ତୀ ଗଜପତି ପାଦେ
ପୃଥିବୀ ପଣନ୍ତ ଥିଲା ପାରି ।
ମାଞ୍ଚୁରିଆ, ଚୀନ, ତିବ୍ଦତ ନୃପତି
ଆଦରେ କଳିଙ୍ଗ ବୌଦ୍ଧ ଭିକ୍ଷୁ, ଯତି,
ରଚିଲେ ମନ୍ଦିର, ମଠ, ବିଦ୍ୟାପୀଠ
ଅଜ୍ଞାନ ଅଧମ ନରେ ତାରି ।
ହେବାକୁ ବଞ୍ଚିତ ବିଶାଳ ଅତୀତ,
କୀରତି କିଞ୍ଚିତ ଦେବତାବାଞ୍ଛିତ,
ତୋ ବିପତ୍ତି-ରାତି ପାହାନ୍ତି ହେଲାଣି,
ନ୍ୟୂନେ ନ ଚାହାଁ ତୁ ମୌନ ମାରି ।