Unknown

ଯମକରାଜ ଚଉତିଶା

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

(କବିସମ୍ରାଟ ଉପେନ୍ଦ୍ର ଭଞ୍ଜ-ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରଥିତ ଯଶା କବି । ତାଙ୍କର ଅଜସ୍ର ସୃଷ୍ଟି ସମ୍ଭାର ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି । ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ ପ୍ରଭୃତି ଅନେକ ଗ୍ରନ୍ଥ, ଛନ୍ଦ, ଚଉପଦୀ, ଚଉତିଶା ତାଙ୍କର ଅମର ଲେଖନୀ ନିଃସୃତ । ଆଳଙ୍କାରିତା, ଶବ୍ଦର ପ୍ରାଚୁର୍ଯ୍ୟ, ଅର୍ଥର ଚମତ୍କାରିତା ତାଙ୍କ କାବ୍ୟ କବିତାକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଛି । କବିଙ୍କ ପ୍ରତ୍ୟେକ ସୃଷ୍ଟିରେ ଆମେ ତାଙ୍କର ଗଭୀର ପାଣ୍ଡିତ୍ୟ, ଉତ୍ତମ କବିତ୍ୱର ପରିଚୟ ପାଉ ।

‘ଯମକରାଜ ଚଉତିଶା’ କବିଙ୍କର ଏକ ଅନବିଦ୍ୟ ଚଉତିଶା ରଚନା । କୋଇଲି ମାଧ୍ୟମରେ ଶ୍ରୀକୃଷ୍ଣ, ରାଧାଙ୍କ ପ୍ରତି ଥିବା ତାଙ୍କର ପ୍ରେମ ଭାବ ପ୍ରକାଶ କରିଛନ୍ତି । ଚଉତିଶାଟିରେ ଯମକ ଅଳଙ୍କାରର ପ୍ରାଧାନ୍ୟ ରହିଥିବାରୁ ଏହାରି ନାମ ‘ଯମକରାଜ ଚଉତିଶା’ ରଖାଯାଇଛି)

ରାଗ-କୌଶିକ

କୁଞ୍ଜବନେ କଳାନିଧି କଳାନିଧି କଳା ଶ୍ରୀ ହରି ।

କହନ୍ତି ସକଳ କଳକଣ୍ଠୀ ପାଶେ କଳଣ୍ଠୀ ପ୍ରୀତି ସୁମରି

କୋକିଳ, କି କରୁଥିବ ରାମାମଣି

କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି । ୧ ।

 

ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ

ଖେଦନ ଘେନିବ ହାଟକ ହାଟକ ସୁମନ ମୋହିନୀ ।

କୋକିଳ, କ୍ଷତିମଣ୍ଡନା କଞ୍ଜାନନୀ ।

ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ । ୨।

 

ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ

ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ ।

କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ।

ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ । ୩ ।

 

ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ।

ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ ।

କୋକିଳ, ଘୋଷ ଥିବ ପ୍ରୀତି ନିକର ।

ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର । ୪ ।

 

ନଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗାମିନୀ

ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି

କୋକିଳ, ନିଶ୍ଚେ ଶୋଇଥିବ ଅବନୀ

ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ-ଗାମିନୀ

 

ଶବ୍ଦାର୍ଥ-(୧) କଳାନିଧି- ଚନ୍ଦ୍ରମା, କାମ କଳାର ସାଗର; କଳକଣ୍ଠୀ-କୋଇଲି, କୋଇଲି ବଚନା: କୁସୁମ ଶାୟକ-ଫୁଲଶର । (୨) ଭଞ୍ଜନ-ଏକପକ୍ଷୀ: କଟକ-ନିତମ୍ବ, ବଳା, ତେଜ, ନାସାମଣି । (୩) ପ୍ରିୟକ-ଭ୍ରମର , କୁଙ୍କୁମ, କଦମ୍ବ, ନୀଳ ଅଶୋକ; ତଉଳ-ଚଞ୍ଚଳ, ଢଳଢଳ, ଥରଥର । (୪) ପୁନାଗ-ଧଳାପଦ୍ମ, ଛୁରିଅନା, ଅଣ୍ଡିରା ହାତୀ, ପୁରୁଷ ଶ୍ରେଷ୍ଠ; କଦମ୍ବ-ହାତୀ, ଧୀର ଗତି, କଦମ୍ବଫୁଲ ସମୂହ । (୫) ଗଣିକା-ଗଜଗାମିନୀ, ବେଶ୍ୟା; ନଳୀନ-ନୀଳ, ପଦ୍ମ, ଜଳ; ତିଳକ-ଶ୍ରେଷ୍ଠ, ତିଳ (କ୍ଷୁଦ୍ର), ଚନ୍ଦନ, ସିନ୍ଦୂର, ମଥାମଣି ।

 

ଭାବାର୍ଥ-(୧-୫) କଳାମାଣିକ କାଳିଆ କାହ୍ନୁ କୁଞ୍ଜବନରେ କୋଇଲିକୁ ସମ୍ବାଧନ କରି କୋକିଳକଣ୍ଠୀ ରାଧାଙ୍କ ପ୍ରେମକୁ ରାଧାଙ୍କ ପ୍ରେମକୁ ମନେ ପକାଇ କହୁଛନ୍ତି- ରେ କୋକିଳ, ମୋ ରାମାମଣି ଏବେ କ’ଣ କରୁଥିବ? କନ୍ଦର୍ପ ତା’ର ନିଜର ଟାଣରେ ତାକୁ ବାନ୍ଧୁଥିବ ।

ରେ କୋକିଳ, ସେ ଖଞ୍ଜନ ନେତ୍ରୀ, ତୋର ଉଚ୍ଚ ନିତମ୍ବ, ସ୍ୱର୍ଣ୍ଣ କଙ୍କଣ, ଉଜ୍ଜ୍ୱଳ ନାସାମଣି ଯୋଗୁଁ ଶୋଭା ପାଉଛି । ସେ ହଟଯୋଗୀ ମନମୋହିନୀ, ସ୍ୱର୍ଣ୍ଣବରନା ମନରେ ସର୍ବଦା ଦୁଃଖ କରୁଥିବ । ମୋ କ୍ଷିତିମଣ୍ଡନା, କଞ୍ଜାନନୀ, ନୂପୁର ଯୋଗେ ଗତି କାଳରେ ମଧୁର ସ୍ୱର ସୃଷ୍ଟିକାରିଣୀ, ପାହାଡ଼ର କଟୀଭାଗରେ ବା କେଳି କୁଞ୍ଜରେ ମୋ ସହିତ ପ୍ରେମଭାବ ଆଚରଣ କରିଛି ।

 

ରେ କୋକିଳ, ମୋର ଗଳାମାଳା ରାଧା, ସେ ଭ୍ରମର, କୁଙ୍କୁମ, କଦମ୍ବ, ନୀଳ ଅଶୋକକୁ ଦେଖିବ । ଥକ୍‌କା ହୋଇ ମୋ ମୋହିନୀ ଗୋରାଚନା ନ ଲଗାଇ ଗୋଟିଏ ସ୍ଥାନରେ ଚିନ୍ତାନ୍ୱିତା ହୋଇ ବସିଥିବ । ରେ କୋକିଳ, ମୋ ଗୁଣମଣି କିପରି ବଞ୍ଚିବ ? ତା’ର ଭାରି ଡୋଳା ଢଳଢଳ ଚଞ୍ଚଳ ଓ ଥରଥର ହେଉଥିବ ।

 

ରେ କୋକିଳ, ମୋ ପ୍ରିୟା ରାଧା ଶ୍ୱେତପଦ୍ମ, ଛୁରିଅନା, ଅଣ୍ଡିରାହାତୀ ଓ ପୁରଷ ଶ୍ରେଷ୍ଠଙ୍କୁ ଦେଖି ଚମକି ଉଠିବ । ସେ ଦୁଃଖଦାୟୀ କୁନ୍ତଘାତ ସମାନ ହେବ । ସେ ସର୍ବଦା ପ୍ରେମକୁ ଗଣୁଥିବ । ସେ ଗଜଗମନାର ଧୈର୍ଯ୍ୟକୁ କଦମ୍ବ ଫୁଲ ଅନେକାଂଶରେ ନାଶ କରୁଥିବ ।

 

ସେ କୋକିଳକୁ, ଗଜଗମନୀ ଗଣିକାକୁ, ଯୁଇ ଫୁଲକୁ ଓ ଲଳିତାକୁ ଚାହୁଁ ନତଇବ । ତା’ର ଚକ୍ଷୁ ନୀଳପଦ୍ମ ପରି ପବିତ୍ର, ସେଥିରେ ନିର୍ମଳ ଦେଖାଯାଉଥିବ । ତିଳେ ହେଲେ ଚନ୍ଦନ, ସିନ୍ଦୁର, ମଥାମଣି ନ ଳଗାଇ ନିଶ୍ଚୟ ଭୂମି ଉପରେ ଶୋଇ ରହିଥିବ ।

 

ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି

ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକ-ମଣ୍ଡନୀ

କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ,

ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ । ୬ ।

 

 

କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠ-ବଚନୀ

ଛଇଳା କୁମଦ କୁମଦ କୁମଦ କୁମଦ-ନିନ୍ଦିତ-ହାସିନୀ ।

କୋକିଳ, କ୍ଷିତିରେ ଗଡ଼ୁଥିବ ଧନ

କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁବଚନ । ୭ ।

 

ଜୀବନ ଜୀବନ ଜୀବନ ଜୀବନ ଧନୀ ସକୁନ୍ତଳା ତେଜିବ ।

ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ ।

କୋକିଳ, ଜବଧରା ମନରଞ୍ଜନା ।

ଜଗତ ସୁରଭୀ ସୁରଭି ସୁରଭି ସୁରଭି ସୁରଭି ବରନା । ୮ ।

 

ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି

ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ

କୋକିଳ, ଝାଳେ ତିନ୍ତିଥିବ ଶରୀର ।

ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର । ୯ ।

 

ନିଶ୍ଚୟେ ସଜନୀ ପଲାସ ପଲାସ ପଲାଶ ପଲାସ କରିବ ।

ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ ।

କୋକିଳ, ନୀରବ କାଳେ କି କରିବ ।

ନିରତେ କଣ୍ଟକ କଣ୍ଟକ କଣ୍ଟକ-ନେତ୍ରାରେ ଜାତ ହେଉଥିବ । ୧୦ ।

 

ଶବ୍ଦାର୍ଥ-(୬) ଚନ୍ଦ୍ରମା-ଚନ୍ଦ୍ର, ନଖକ୍ଷତ; ଚନ୍ଦ୍ରମା ସଦନ-ଚନ୍ଦ୍ରଶାଳାପୁର; ତାରକ-ମୁକ୍ତା, ଭେଳା, ଉଦ୍ଧାରକର୍ତ୍ତା; ମଦନ-ବସନ୍ତ, ଭ୍ରମର, ବଉଳ ଗଛ, ଖଞ୍ଜନପକ୍ଷୀ, କର୍ପୂର । (୭) ହାରିକଣ୍ଠ-ହାର ଯାହା କଣ୍ଠରେ ଥାଏ, ସୁନ୍ଦର କଣ୍ଠ ଯାହାର, କୋଇଲି; କୁମୁଦ-କୁ(ପୃଥିବୀ); ମୂଦ-ଆନନ୍ଦ, କଇଁରୂପା, କର୍ପୂର; ସୁତକଣ୍ଠ-କୋଇଲି, ପକ୍ଷୀ, ଖଞ୍ଜନ । (୮)ଜୀବନ-ପବନ, ଜଳ, ସଜ ଲହୁଣୀ, ପ୍ରାଣ; ନଳିନୀ-ପଦ୍ମିନୀ କନ୍ୟା, ପଦ୍ମବନ, ପଦ୍ମିନୀ ନଦୀ; ସୁରଭୀ-ପଣ୍ଡିତା, ସୁଗନ୍ଧ, ଚମ୍ପକ, ଚନ୍ଦନ, ବଣମଲ୍ଲୀ । (୯) କଳକଣ୍ଠ-କୋଇଲି, ମୟୂର, ପାରା; ଅଧର-ଓଷ୍ଠ; ଅଧ-ତଳ, ବାଳସୂର୍ଯ୍ୟ, ସିନ୍ଦୁର । (୧୦) ପଲାସ-ପତ୍ର, ଫୁଲପାଖୁଡ଼ା, ନିର୍ଦ୍ଦୟ, ବ୍ୟାପିବା; ରଞ୍ଜନା-ପବିତ୍ର, ରଞ୍ଜନକାରିଣୀ, ସୁନା; ନୀରଦ-ମେଘ; କଣ୍ଟକ-ମୀନ, ମୁନ, ରୋମହର୍ଷଣ ।

 

ଭାବାର୍ଥ-(୬-୧୦)ରେ କୋକିଳ, ମୋ ଚତୁରୀ ଚନ୍ଦ୍ର, ନଖକ୍ଷତ ଓ ଚନ୍ଦ୍ରଶାଳାପୁରକୁ ସୂର୍ଯ୍ୟପ୍ରାୟ ମନେ କରୁଥିବ । ମୋ ପ୍ରିୟା ରାଧା ମୁକ୍ତା ମଣ୍ଡନୀ ଥରେ ମୋତେ ଚାହିଁଦେଲେ ନାଁ ଭେଳା କରି ମୋତେ ଉଦ୍ଧାର କରିଦେବ । ସେ ଚାରୁମୁଖୀ କିପରି ବଞ୍ଚିବ ? ବସନ୍ତ ଭ୍ରମର, ବଉଳଗଛ ଓ ଖଞ୍ଜନ ପକ୍ଷୀକୁ ଚାହିଁଲେ ତାକୁ କର୍ପୂର ଦହିବ ।

ରେ କୋକିଳ, କ୍ଷମାନିଧି ରାଧା ହାରିକଣ୍ଠ, ମନୋହାରୀ କଣ୍ଠୀ, କୋକିଳ କଣ୍ଠୀ ଅଟେ । ପୃଥିବୀକୁ ଆନନ୍ଦ ଦାୟିନୀ ସେ ଚଇଳାର ହସ ଧବଳରେ କଇଁ, ରୁପା ଓ କର୍ପୂରର ଶୋଭାକୁ ନିନ୍ଦାକରେ । କୋଇଲିର କୁହୁତାନ, ପକ୍ଷୀସ୍ୱନ ଓ ଖଞ୍ଜନ ପକ୍ଷୀର ଧୀର ସ୍ୱର ଶୁଣି ପ୍ରିୟା ମୋର ଭୂମି ଉପରେ ଲୋଟି ପଡ଼ୁଥିବ ।

 

ରେ କୋକିଳ, ମୋ ସୁକୁନ୍ତଳା ରାଧା ଯେବେ ପଦ୍ମବନ, ପଦ୍ମଫୁଲ ଓ ଯମୁନା ଓ ନଦୀକୁ ଦେଖିବ, ବିରହ ଦୁଃଖରେ ଜୀବନ ତ୍ୟାଗ କରିବ । ସେ ଜବାଧରା, ମନରଞ୍ଜନୀ ପଣ୍ଡିତା, ସୁଗନ୍ଧଚନ୍ଦନ, ଚମ୍ପକ, ବନମଲ୍ଲୀ ବରନା ।

 

ମୋ ପ୍ରିୟା ରାଧା ମୟୂର, ପାରା ଓ କୋଇଲିର ସୁମଧୁର ସ୍ୱନ ଶୁଣି ଝାମ ଯିବ । ସେ ବିଷ୍ଣୁ ମାନସହାରିଣୀର ଉଜ୍ୱଳ ଓଷ୍ଠ ବିଗତ କୁଣ୍ଠା ଭାବ ଥିବ । ତା’ର ଶରୀର ଝାଳରେ ତିନ୍ତି ଯାଇଥିବ । ବାଳସୂର୍ଯ୍ୟ ଓ ସିନ୍ଦୁର ପ୍ରାୟ ରକ୍ତମ ଆଭା ତା’ର ଅଧର ତଳରୁ ଲିଭିଯାଇଥିବା ।

 

ରେ କୋକିଳ, ମୋ ସଜନୀ ନିଶ୍ଚୟ ପତ୍ର ମଧ୍ୟରେ ଫୁଳକଢ଼ି ଫୁଟିବା ଦେଖିଲେ ମୋ ବିରହ ଯୋଗୁଁ ରାଗରେ ମୋ ପ୍ରତି ନିର୍ଦ୍ଦୟ ହେବ । ସେ ପବିତ୍ରମନା, ହେମାଙ୍ଗୀ, ମନୋହରକାରଣୀ ଗୋଟିଏ ରାତିକୁ ବର୍ଷକାଳ ମନେ କରିବ ଅର୍ଥାତ୍‌ ବିରହରେ ଜଳିଯିବ । ବର୍ତ୍ତମାନ ଏ ବର୍ଷାକାଳରେ ମୋ ପ୍ରିୟା କ’ଣ କରିବ ? ସର୍ବଦା ସେ ମୀନନୟନାର ରୋମ ହର୍ଷଣ ହୋଇ ଶରୀରରେ ମୁନ ଫୁଟିଲା ପ୍ରାୟ ଦେଖାଯାଉଥିବା ।

 

ଟେକେଣ ରମଣୀ-ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ।

ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ ।

କୋକିଳ, ଟକି ପଡ଼ୁଥିବ ମୋ ସଖୀ ।

ଟାଣ କଟାକ୍ଷୀ ମୋ ଜୀମୁତ ଜୀମୁତ ଜୀମୂତ ଦେଖି ହେବ ଦୁଃଖୀ । ୧୧।

 

ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ।

ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ ।

କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ।

ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ । ୧୨।

 

ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ।

ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ ।

କୋକିଳ, ଡୋଳା ପ୍ରତିମା ଅବଳାକୁ ।

ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩ ।

 

ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ।

ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ ।

କୋକିଳ, ଡାଳେ ନ ଚାହିଁବ ସେ ଧୀରେ ।

ଢାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପଣ୍ଡି ନ ରଖି ଅଙ୍ଗରେ ।୧୪ ।

 

ଏକ କରି କୁଳେ ଜଘନ କଦଳୀ କଦଳୀ କଦଳୀ-ନୟନେ ।

ଏବେ ମଣୁଥବ ରମଣୀ ପାବକ ପାବକ ପାବକ ସମାନେ ।

କୋକିଳ, ଆହା ମୋ ପ୍ରିୟ ରସକଳା ।

ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫ ।

ଶବ୍ଦାର୍ଥ- (୧୧) ରମଣୀ-ପ୍ରିୟା, ସୁନ୍ଦରୀରମଣୀ- ଅଗ୍ନିମଣି, ଘନସାର-ଶ୍ରେଷ୍ଠ ମେଘ, କର୍ପୂର; ଜୀମୂତ-ମେଘ, ଇନ୍ଦ୍ର, ପର୍ବତ । (୧୨) ଚଞ୍ଚଳା-ଲକ୍ଷ୍ମୀ, ଅସ୍ଥିର, ବିଜୁଳି, ବିଗଳିତା; ରୋହିତ-ଇନ୍ଦ୍ରଧନୁ, ପଦ୍ମରାଗ, କୁଙ୍କୁମ, ଧୀରତା; ବଳାହକ-ପର୍ବତ, ମେଘ । (୧୩) ଅଶୋକ-ଶୋକଶୂନ୍ୟ, ସୁଖ, ଅଶୋକ କଢ଼ି; ଅଳୀକ ଲଲାଟ, ମିଥ୍ୟା; ଚଉରୀକ-ପ୍ରାଙ୍ଗଣ, ବଡ଼ବେଦୀ, ଚାମର । (୧୪) କଦମ୍ବ-ବ୍ୟାକୁଳ, କଦମ୍ବଫୁଲ, କେଶର, ସମୁହ; ପଦ୍ମକୋରକ-ମୃଣାଳଅଂଶୁ; କୋରକ-ସୁଗନ୍ଧ, କଢ଼ି; ସୁପର୍ଣ୍ଣ- ସ୍ଵଚୂଡ଼ା, କୋମଳ ପତ୍ର, ନାଗେଶ୍ୱର । (୧୫) ଜଘନ-ଜଙ୍ଘ; କଦଳୀମୃଗ, କୋଡ଼ି ହୋଇ; ଜଘନ କଦଳୀ-ରମ୍ବା ଉରୁ ବା କଦଳୀ ଗଛ ପରି ଜଘ; ପାବନଫୁଲ; ପାବକ-ଅଗ୍ନି, ସୂର୍ଯ୍ୟ; ସାରଙ୍ଗ-କୋଇଲି, ମୟୂର, ଚାତକର ସ୍ୱର ।।

 

ଭାବାର୍ଥ- (୧୧-୧୫) ରେ କୋକିଳ, ଟେକ ମନରେ ମୋ ସୁନ୍ଦର ପ୍ରିୟା ସଂସାରକୁ ଅଗ୍ନି ପ୍ରାୟ ମନେ କରି ଏକାକିନୀ ବସି ମୋ ବିଷୟରେ ଚିନ୍ତା କରୁଥିବ । ସେଇ ଘନସାରଜିତ ସୁକେଶୀ ଟାଣ ଅନଳକୁ କର୍ପୂର ବୋଲି ମନେ କରୁଥବ । ସେ କଟାକ୍ଷବତୀ ମେଘକୁ ଇନ୍ଦ୍ର ଓ ପର୍ବତକୁ ଦେଲେ ଦୁଃଖରେ ମହୀ ଉପରେ ଟଳି ପଡ଼ିବ ।

 

ରେ କୋକିଳ, ମୋ ଲକ୍ଷ୍ମୀ ଅର୍ଥାତ୍ ରାଧା ଅସ୍ଥିରା ବିଜୁଳିକୁ ଦେଖୁ ବିଚଳିତା ହେବ । ଇନ୍ଦ୍ରଧନୁ, ପଦ୍ମରାଗ ଓ କୁଙ୍କୁମସମାନ ତା’ର ଧୈର୍ଯ୍ୟକୁ ବିନାଶ କରିବେ । ଅନ୍ୟ ଉପାୟନ ପାଇ ଠକ କନ୍ଦର୍ପକୁ ପୂଜା କରିବ । ପବିତ୍ର ପ୍ରାୟ ଉନ୍ନତ ବକ୍ଷୋଜ ଦୃୟକୁ ମେଘର ଦମ୍ଭ ନାଶ ପାଇଁ ତାକୁ ଭିଡ଼ିଧରିବ ।

 

ରେ କୋକିଳ, ମୋ ପ୍ରିୟାର କଟୀ ଦେଶ ଡମ୍ବରୁ ପରି । ସେ ଡମ୍ବରୁମଧ୍ୟା ଶୋକଶୂନ୍ୟ, ସୁଖୀ, ଅଶୋକ କଢ଼ି ଓ ପାରଦ ଶୂନ୍ୟ । ଡାଳିମ୍ବ ମଞ୍ଜି ପରି ତା’ର ଦନ୍ତ ପଂକ୍ତି ଶୋଭାମୟ । ତା’ର ଲଲାଟକୁ ଅତି କ୍ଷୁଦ୍ର, ମିଥ୍ୟା ଓ ଅପ୍ରିୟ ମନେ କରିବ । ମୋ ଡୋଳା ପ୍ରତିମା ଅବଳାକୁ ଏବେ ପ୍ରାଙ୍ଗଣ ମଧ୍ୟରେ ଥିବା ବଡ଼ ବେଦୀରେ ବସାଇ ସଖୀମାନେ ଚାମର କରିବେ ବୋଲି ଯୋଗ ଥିଲା ।

 

ମୋ ପ୍ରିୟା ବ୍ୟାକୁଳ ହୋଇ କଦମ୍ବ ଫୁଲରେ ଶଯ୍ୟା କରି ଶୋଇଥିବ । ପଣାଳ ଅଂଶ ଓ ଫୁଲ କଢ଼ିକୁ ଅଗ୍ନି ମନେ କରୁଥିବ । ସେ ମୋତେ ତିଳେ ହେଲେ ଚାହିଁବ ନାହିଁ । ସେ ଦେହରେ ସୁନା ଅଳଙ୍କାର ନ ରଖ୍ କେବଳ ନାଗେଶ୍ୱର ଫୁଲ ଓ କଅଁଳିଆ ପତ୍ରରେ ଶୋଇରହିବ ।

 

ରେ କୋକିଳ, ମୋ ମୃଗ ନେତ୍ରୀ କଦଳୀ ଗଛ ପରି ଜଘନା, ଶିର କୋଡ଼ି ହୋଇ ତା’ର ଦୁଇ ବକ୍ଷୋଜକୁ ଏକାଠି କରି ବସିଥିବ । ସେ ବାଳା କୁସୁମକୁ ସୂର୍ଯ୍ୟ ଓ ଅଗ୍ନି ପ୍ରାୟ ମନେ କରୁଥିବ । ମୋ ପ୍ରିୟବତୀ କୋଇଲି, ମୟୁର ଓ ଚାତକର ବଚନ ଶୁଣି ଭୋଳ ହେଉଥିବ ।

 

ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ।

ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ ।

କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ।

ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ । ୧୬ ।

 

ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ।

ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ

କୋକିଳ, ଥିଲାକ ତାକୁ ଏତେ ଦଶା

ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା । ୧୭ ।

 

ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ।

ଦହିବ କଦନ ମାଳୀକା ମାଳୀକା ମାଳୀକା ନିଃଶ୍ୱନେ, ବାଳିକା ।

କୋକିଳ, ଦୂର କରେ ସେ ମୋ ଦୁଃଖକୁ ।

ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କର କୁ । ୧୮ ।

 

ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ।

ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ ।

କୋକିଳ, ଧରିଥିବ ସତେ ଜୀବନ ।

ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ । ୧୯ ।

 

ନୂତନ ପରିଘ ପରିଘ ପରିଘ ପ୍ରାୟେ ଥିବା ହୋଇ ।

ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ ।

କୋକିଳ, ନବ ଅଙ୍ଗନା ସେ ରମଣୀ ।

ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି । ୨୦ ।

 

ଶବ୍ଦାର୍ଥ- (୧୬) ସାରଙ୍ଗ-ସୁକାନ୍ତି, ଧନୁ; ଶାରଙ୍ଗଧର-ଧନୁଧର; ସୂନବାଣ-ଫୁଲଶର; ଅଶନ-ଭୋଜନ; ଅମୃତ-କ୍ଷୀର, ଲବଣ, ଅନ୍ନ; ଶ୍ରୀକଣ୍ଠ-ସୁଦରକଣ୍ଡ, ଶିବ; ଶ୍ରୀକଣ୍ଠଭୂଷଣ-ବିଷ୍ଣୁ । (୧୭) ପୁଲକ-ମଣିବିଶେଷ, ଆନନ୍ଦ, ରୋମାଞ୍ଚ; ମଲ୍ଲିକା-କଂସ, ମୀନ; ବିବେକ-ଅନୁରାଗ, ବିଚାର, ଉଦାସୀନଭାବ । (୧୮) ମାଳିକା-ମଲ୍ଲୀ, ଫୁଲମାଳ, କଣ୍ଠଭୂଷଣ, ଗନ୍ଧମାଲ୍ୟ, ନଦୀ (ଯମୁନା), ପ୍ରୀତି, ମାଲ୍ୟ; ଅଳକ-ଭସାମେଘ, ଚୂର୍ଶକୁନ୍ତଳ, ଫୁଲ । (୧୯) କକୁଭ-ଦିଗ, ବୀଣାର ଲାଉତୁମୀ, ବୀଣାର ଶେଷଭାଗ କାଠ, ବନମଲ୍ଲୀ, ପକ୍ଷୀ; ଗହନ-ବନପ୍ରାନ୍ତ, ଦୁଃଖରେ ଆତୁର । (୨୦) ପରିଘ-ଚନ୍ଦ୍ର, ବଜ୍ର, ପର୍ବତ; ସମାନ ପରିଘ-ବାଧା; କଉଶିକ-ନେତ୍ରଲୀଳା, ଶୃଙ୍ଗାର ରସରେ, ସାପୁଆ କେଳା, ପେଚା; କେଶରୀ-ସିଂହ; ନୟନ କେ ସରି-ପଦକ କିଏ ସମାନ ହେବ?

 

ଭାବାର୍ଥ- (୧୬-୨୦)ରେ କୋକିଳ, ପ୍ରିୟାର ସୁକାନ୍ତ ଚକ୍ଷୁକୁ ଧନୁଧାରୀ କନ୍ଦର୍ପ ଫୁଲଶରରେ ନାଶ କରିବ । ପ୍ରିୟା ମୋର ଦୁଃଖରେ କ୍ଷୀର, ଲବଣୀ, ଅନ୍ନ ଗ୍ରହଣ କରିବ ନାହିଁ । ସେ କେମିତି ବଞ୍ଚିବ ? ତା’ର ସୌନ୍ଦର୍ଯ୍ୟପୂର୍ଣ୍ଣ କଣ୍ଠ ରୁନ୍ଧି ହେଲେ ସେ ସର୍ବଦା ଶିବ ଓ ବିଷ୍ଣୁଙ୍କୁ ସ୍ମରଣ କରିବ ।

 

ରେ କୋକିଳ, ସେ ମଣି ଓ ଆନନ୍ଦ ଦୂର କରିଥିବ । ତା' ଶରୀରରେ ପୁଲକ ଜାତ ହେବ । ପ୍ରିୟାର ଧୀର ଗତି ହଂସକୁ ନିନ୍ଦା କଲେ । ମୀନକୁ ଦେଖୁ ନତ ହେବ । ତାକୁ ପୁଣି ଏତେ ଦଶା ଥିଲା ? ସେ ସୁନ୍ଦରୀର ସ୍ନେହ, ବିଚାରକୁ ଏବେ ଉଦାସୀନତା ନଷ୍ଟ କଲା ।

 

ମୋ ପ୍ରିୟତମା ମଲ୍ଲୀ ହାର, କଣ୍ଠଭୂଷଣ ଓ ଗନ୍ଧମାଲ୍ୟକୁ ତ୍ୟାଗ କରିସାରିବଣି । ତା’ ଦେହକୁ ଯମୁନା ନଦୀ ପ୍ରୀତିମଦ ଓ ମୁଁ ଦେଇଥିବା ମାଲ୍ୟା ଦହନ କରିବଣି । ସେ ମୋ ଦୁଃଖକୁ ଦୂର କରେ । ରେ କୋକିଳ, ସେ ତା’ର ମସ୍ତକରେ ଥିବା କଳା ଚୂର୍ଣ୍ଣ କୁନ୍ତଳ ସାଉଁଳେଇ ଦିଏ ଓ କୁଙ୍କୁମ ଲଗାଇ ଦିଏ ।

 

ରେ କୋକିଳ, ସେ ଧୀର ଭାବରେ ଦିଗମାନଙ୍କୁ ଚାହିଁବ । ବୀଣା ବଜାଇବାକୁ ଆଣି ନ ବଜାଇ କେବଳ ବୀଣାର ଲାଉତୁମ୍ୱୀ ଓ ଅଗ୍ରଭାଗ କାଠକୁ ମଧ୍ୟ ଚାହିଁବ । ଆକୁଳ ପ୍ରାଣରେ ଅଶ୍ରତ୍ୟାଗ କରିବ । ତା’ର କୋଠାଘର ତାକୁ ଦୁର୍ଗମ ବନପରି ଅସୁଖକର ହେବ । ସତେ କ’ଣ ସେ ଜୀବନରେ ଥିବ ? ସେ ବନପ୍ରାନ୍ତକୁ ଚାହିବ । ମୋତେ ନ ଦେଖି ଦୁଃଖରେ ଭାଙ୍ଗି ପଡ଼ିବ ।

 

ନୂତନ ଚନ୍ଦ୍ର ତାକୁ ବଜ୍ର ଓ ପର୍ବତ ପ୍ରାୟ ବାଧା ଦେଉଥିବ । ତା’ର ନେତ୍ରଲୀଳା ଶୃଙ୍ଗାର ରସ ସମୟରେ ଏତେ ଚଞ୍ଚଳ ଯେ ତାହା ସାପୁଆ କେଳା ଓ ପେଚାର ଚକ୍ଷୁ ଚଞ୍ଚଳତାର ନିନ୍ଦା କରେ । ରେ କୋକିଳ, ନବ ଅଙ୍ଗନା ସେ ରମଣୀମଣି ସିଂହମଧ୍ୟମାକୁ କିଏ ସରି ହେବ ?

 

ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହାକି ।

ପଡିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି ?

କୋକିଳ, ପୀନସ୍ତନା ଏହା ସହିଲା ।

ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧।

 

ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ।

ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି ।

କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ।

ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ । ୨୨ ।

 

ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ।

ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ ।

କୋକିଳ, ବାଳା କୋମଳା ରସିକିନି ।

ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ । ୨୩ ।

 

ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ।

ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି ।

କୋକିଳ, ଭାବବତୀ ଭାବ ଜାଣଇ ।

ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ । ୨୪ ।

 

ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ।

କୋକିଳ, ମହାଘୋର ଭୟ କରିବ ।

ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ । ୨୫ ।

 

ଶବ୍ଦାର୍ଥ- (୨୧) କେଶରୀ-ହାତୀ, ସିଂହ; ପତଙ୍ଗ-ସୂର୍ଯ୍ୟ, ଅଗ୍ନି, ବାଣ; ସ୍ଵର୍ଗ ମୁକ୍ତି; ଆଲୋକ-ଦର୍ଶନ, ଦୃଷ୍ଟିପଥ, ସ୍ମୃତିରେ । (୨୨) ବାଳୀକ କନ୍ୟା, ବାଳା ବୟଃ ସନ୍ଧି ସମୟରେ ରତି ପ୍ରସ୍ତାବ ଶୁଣି; କାଳିକା-କଳାମେଘ, ପାର୍ବତୀ, ଛାତିରୁ ନାଭିଯାଏଁ । ରୋମାବଳୀ; ଫୁଲରୀଟ- ଭ୍ରମର; କେକିନୀ-ମୟୁରୀ; କଳାପ-ପୁଚ୍ଛ, ଚନ୍ଦ୍ର, ଧନୁ । (୨୩) ଲକ୍ଷଣ- ନାମ, ସ୍ଵରୂପ ଓ ଦର୍ଶନ; ପଦ୍ମିନୀ- ହସ୍ତିନୀ, ସରସୀ, ପଦ୍ମଫୁଲ । (୨୪) ମୁଖେ- ଆଗରେ; ରଜତ-ହାତୀଦାନ୍ତ, ଧଳା, ହାର, ହରିତ-ନୀଳ, ଦିଗ, ଚନ୍ଦ୍ର; ଭାବିନୀ-ସୁଲକ୍ଷଣା, ପ୍ରିୟା । (୨୫) କୁନ୍ଦକୁ-ବିଷ୍ଣୁ; ତାରକ-ତ୍ରାଣକର୍ତ୍ତା; କୁନ୍ଦ-ଫୁଲ, ଫୁଲ; କାନନ-ଘର, ଜଙ୍ଗଲ ।

 

ଭାବାର୍ଥ- (୨୧-୨୫) ରେ କୋଳିକ, ପ୍ରିୟା ମୋର ତା’ର ପଦ୍ମ ନୟନକୁ ଟେକି ତେରେଛା କରି ଚାହିଁଲେ ହାତୀ ଓ ସିଂହ ଭୂମି ଉପରେ ପଡ଼ିଯିବେ । ସୂର୍ଯ୍ୟ, ଅଗ୍ନି ଓ ବାଣ ମୋ ସଖୀକୁ ଚାହିଁଲେ ସେ ସହି ପାରିବ ନାହିଁ । ମୂର୍ଚ୍ଛିତା ହୋଇଯିବ । ମୋ ପ୍ରିୟା କ’ଣ ଏ ଦୁଃଖ ସହିଲା ? ମୋ ପଦକୁ ସ୍ଵର୍ଗ ମନେ କରି ସଜ୍ଜିତ ହୋଇ ମୋର ଦର୍ଶନ ଲୋଡ଼ିଲା । ମୋତେ ନ ପାଇ କେବଳ ମୋ ଗତିପଥକୁ ଚାହିଁଲା । ମନ ମଧ୍ୟରେ ମୋ କଥା ତା’ର କ’ଣ ରହିଲା ?

 

ବୟଃ ସନ୍ଧିକାଳର ରତି କଥା ଚିନ୍ତା କରି ସେ ସୁହାସିନୀ ପାଗଳିନୀ ପ୍ରାୟ ହେଉଥିବ । ସେ ମେଘକୁ ଓ ପାର୍ବତୀଙ୍କୁ ପ୍ରାର୍ଥନା କରିଥିଲା । ଛାତିରୁ ନାଭିଯାଏଁ ଲମ୍ବିଥିବା ରୋମାବଳୀକୁ ଶତୁ ବୋଲି ଭାବିଥିବ । ସେ ଭ୍ରମର କେଶ, ଚନ୍ଦ୍ରଙ୍କୁ ଓ ଧନୁକୁ ଦେଖ୍ ପ୍ରାଣ ଛାଡ଼ି ଦେବ । (କାରଣ ମୁଁ ମୟୁରପୁଚ୍ଛ ମୁଣ୍ଡରେ ଖୋଷେ, ମୋ ନାଁ କୃଷ୍ଣଚନ୍ଦ୍ର ଓ ଧନୁକୁ ଦେଖି ଫୁଲଧନୁ ଭାବିବ ।)

 

ରେ କୋକିଳ, ତୋର ନାଁ, ସରପ ଓ ଦର୍ଶନ ସତରେ କ’ଣ କନ୍ଦର୍ପକୁ ଜିଣିବାକୁ ହେବ ? ତା’ର ମୁଖ ତ ସୁନ୍ଦର, ପରିଚୟ ଓ ଚିହ୍ନ । ମୋ କାମ ଜ୍ୱରକୁ ଔଷଧ ଅଟେ । ମୋ କୋମଳାଙ୍ଗୀ ହସ୍ତିନୀ ଗପନୀ ଏକାନ୍ତରେ ବସି ପୋଖରୀର । ପଦ୍ମଫୁଲକୁ ଚାହୁଁଥିବ ।

 

ରେ କୋକିଳ, କନ୍ଦର୍ପର ଆୟତ୍ତରେ ପଡ଼ି ସେ ଅଚେତା ହୋଇଗଲେ, ହାତୀଦାନ୍ତ । ସମାନ ତା’ର ଧଳା ମୋତିହାର ଛିଣ୍ଡି ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବ । ସେ ନୀଳନେତ୍ରୀ, ଦିଗ ଓ ଚନ୍ଦ୍ରକୁ ଭଲ ଭାବେ ଚାହିଁବନି । ସେ ଭାବବତୀ କେବଳ ଭାବ ଜାଣେ । ସେ ସୁଲକ୍ଷଣା ପ୍ରିୟା ମୋ ପାଖରୁ ଦୂର ହେଲା । ସେଇ ଲଜାରେ ମୋ ଜୀବନ ଯାଉନାହିଁ ଯାହା !

 

ରେ କୋକିଳ, ମୋ ପ୍ରାଣପ୍ରିୟ ବିଷ୍ଣୁଙ୍କୁ ତା’ର ତ୍ରାଣକର୍ତ୍ତା ବୋଲି ମନେ କରିବ । କୁନ୍ଦଫୁଲକୁ ଖରାପ ଓ ତ୍ରିଶୂଳ ପ୍ରାୟ ଭାବିବ । ମୋ ପ୍ରାଣପ୍ରିୟାର ପଦ୍ମମୁଖ ପାରଦ ସମାନ ନିର୍ମଳ । ସେ ମୋର ମୁକ୍ତିଦାତ୍ରୀ, ମୂଲ୍ୟବାନ ରତ୍ନ । ସେ ମହାଭୟରେ ଦିବସକୁ ଓ ସୌଭାଗ୍ୟ ଚିନ୍ତା କରୁଥିବ । ତା’ର ଘରକୁ ବନ ପରି ମନେ କରୁଥିବ ।

 

ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ।

ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ ।

କୋକିଳ, ଯତନେ ତା’ର ସଖୀଗଣ ।

ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ । ୨୬ ।

ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ।

ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ ।

କୋକିଳ, ରସା ଚିରିବ ନଖେ ବସି ।

ରାମ ଅନାଇଲେ କୁସୁମ କୁସୁମ କୁସୁମ ରେ କର ନିବେଶି । ୨୭ ।

 

ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ।

ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ ।

କୋକିଳ, ଲୟଥିବ ତାର ମୋ ତହିଁ ।

ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି । ୨୮ ।

 

ବ୍ୟଥିତ ହୋଇ ଚାହୁଁଥିବ ହରିଣ ହରିଣ ହରିଣୀ-ନୟନୀ ।

ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି ।

କୋକିଳ, ବାଣୀ ନ ଶୁଭିବ ତାହାରି ।

ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ । ୨୯ ।

 

ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ।

ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ ।

କୋକିଳ, ଶଶୀ-ଆନନୀ ହେଲା ଦୁଃଖୀ ।

ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ । ୩୦ ।

 

ଶବ୍ଦାର୍ଥ- (୨୬) ଯୋଷାମଣି- ରମଣୀଶ୍ରେଷ୍ଠ; ମୀନକେତନ-କନ୍ଦର୍ପ; କେତନ- କାର୍ଯ୍ୟ, ଶରୀର, ନିମନ୍ତ୍ରଣ, ନାଗେଶ୍ୱର ଫୁଲ, ସ୍ଥାନ, ଚିହ୍ନ; କାଞ୍ଚନ-ପଦ୍ମକେଶର, ନାଗକେଶର, ଚମ୍ପା । (୨୭) ରମଣୀବିକ୍ରମ- ରମଣୀଶ୍ରେଷ୍ଠ; ବିକ୍ରମ- ବିଷ୍ଣୁ, ପାଦ, ଗତି, ସାହସ, ବେଗ; ରାମ-ତମାଳ, କୁସୁମ-ଚକ୍ଷୁପୀଡ଼ାକୁ ଅନୁଭବ କରିବା, ଫୁଲ, ଫଳ । (୨୮) ଗଉର-ଆଦର, ସ୍ନେହ, ଗୌରବ, ଗଉରୀ-ଗୋରୋଚନା ଜିତା, ଗଉରୀ-ଗୌରାଙ୍ଗୀ, ପାର୍ବତୀ, ସମ୍ମାନ, ଫିକା, ଚୈତନ୍ୟ ଲୋପ ହେବ । (୨୯) ହରିଣ-ମୃଗ, ସୂର୍ଯ୍ୟ, ଶିବ; ବିଶିଖ- ଶିଖା ବିହୀନ ଅଗ୍ନି, ଶର; କୁମୁଦ-ସର୍ପ ବିଶେଷ, କଇଁ, ବନ୍ଧୁଜୀବ-ବଧୂଲି ଫୁଲ, ପ୍ରାଣ, (୩୦) ପୁଷ୍କର-ପଦ୍ମ, ପଦ୍ମପାଖୁଡ଼ା, ଜଳ, ହାତୀ, ଶିବ, ସୂର୍ଯ୍ୟ, ରାତ୍ରି ।

 

ଭାବାର୍ଥ- (୨୬-୩୦) ରେ କୋକିଳ, ମୋ ପ୍ରିୟା କନ୍ଦର୍ପ ଶରୀର, କାର୍ଯ୍ୟ ଦେଖୁ ତାକୁ ନିମନ୍ତ୍ରଣ କରିଥିବ । ସେ ନାଗେଶ୍ୱର ଫୁଲ, ସ୍ଥାନ ଓ ଚିହ୍ନକୁ ଦେଲେ ମୂର୍ଚ୍ଛାଯିବ । ତା’ର ସଖୀଗଣ ଯତ୍ନର ସହିତ ରମଣୀର ଦେହରେ ପଦ୍ମକେଶର, ନାଗକେଶର ଓ ଚମ୍ପା ଚଢ଼ାଉଥିବେ । ଏ ଗୁଡ଼ିକ ତାପନାଶ କରିବ ।

 

 

ମୋ ପ୍ରିୟା, ମୋତେ ଅର୍ଥାତ୍ ବିଷ୍ଣୁଙ୍କୁ ଓ ପାଦ ଚିହ୍ନକୁ ଦେଖ୍ ଭ୍ରମରେ ପଡ଼ିବ । ସେ କାହାର ଗତି, ସାହସ ଓ ବେଗ ଭାବି ତାକୁ ଛାଡ଼ିବ । ସେ ନଖରେ ଭୂମିକୁ ବିଦାରିବାକୁ ଚାହିଁଲେ ଚକ୍ଷୁପୀଡ଼ା ଅନୁଭବ ହେବ, ଫୁଲ ଓ ଫଳରେ ହାତ ଦେଇ ବସିଥିବ ।

 

ରେ କୋକିଳ, ରାଧା ମୋର ମୋ ଆଦର, ସ୍ନେହକୁ ଗୌରବ ଭାବେ । ସୁନ୍ଦର ଗୋରୋଚନାଜିତା ଗଉରୀ ସର୍ବଦା ପାର୍ବତୀଙ୍କୁ ଚିନ୍ତା କରୁଥିବ । ତା’ର ସୁନ୍ଦର ଅଧର ପ୍ରଶଂସନୀୟ ନ ହୋଇ ଫିକା ପଡ଼ିଯାଇଥିବ ଓ ତା’ର ଚେତନା ଲୋପ ପାଇଥିବ।

 

ରେ କୋକିଳ, ସେଇ ମୃଗନୟନା କାମତାପ ବିନାଶ ପାଇଁ ସର୍ବଦା କାମତାପ ହ୍ରାସ ଓ ମଙ୍ଗଳ ସକାଶେ ସୂର୍ଯ୍ୟ ଓ ଶିବଙ୍କୁ ସ୍ମରଣ କରୁଥିବ । କନ୍ଦର୍ପ ତା’ର ବିଷାକ୍ତ ନୀଳୋତ୍ପଳ ଶର ଆଘାତରେ ତା’ ଚେତା ଲୋପ ପାଇଥିବ । ତା’ର କଥା ଶୁଭିବନି, ସେ ମୂର୍ଚ୍ଛା ଯିବ । ସେଇ ବଧୂଲି ଅଧରା ପ୍ରିୟାର ପ୍ରାଣ ବଡ଼ ଦୁଃଖରେ ଥିବ ।

 

ରେ କୋକିଳ, ତା’ର ସଖୀମାନେ ତା’ର ବିରହ ତାପ ନାଶ ଲାଗି ତା’ ଉପରେ ପଦ୍ମପାଖୁଡ଼ା, ଜଳ ସିଞ୍ଚୁଥିବେ । ସେ ଗଜଗମନୀ ସର୍ବଦା କନ୍ଦର୍ପ ତାପ ନାଶ ପାଇଁ ଶିବ ଓ ବିରହ ରଜନୀକୁ ଦୂରେଇ ଦେବାକୁ ସୂର୍ଯ୍ୟକୁ ପ୍ରାର୍ଥନା କରୁଥିବ । ସେ ଚନ୍ଦ୍ରମୁହିଁ ଏବେ ଦୁଃଖ ପାଉଥିବ । ରାତିକୁ ଚାହିଁ ମୋ ସହିତ ମିଳନ ଚାହୁଁଥିବ ।

 

ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ।

ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ ।

କୋକିଳ, ସରୁ ନ ଥିବ ଦିବା ରାତି ।

ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ । ୩୧ ।

 

ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ।

ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ ।

କୋକିଳ, ଶଶୀକଳା ପ୍ରାୟ ହେବନି ।

ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ । ୩୨ ।

 

ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ।

ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ ।

କୋକିଳ, ହେଳାବତୀ ପାଶେ କହିବ ।

ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ । ୩୩ ।

 

କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି ।

କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି ।

କୋକିଳ, କ୍ଷମ ହେ ଅଗମ ବ୍ରଜକୁ ।

କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ । ୩୪ ।

 

ଶବ୍ଦାର୍ଥ- (୩୧) ଶଶାଙ୍କ-ଚନ୍ଦ୍ର; ସଘାତ-ଆଘାତ, ବିନାଶ; ସୁମନା-ମାଳତୀ; ମଣ୍ଡନସୁମନା-ଆନନ୍ଦମନା, ପଣ୍ଡିତା, ପ୍ରିୟା, ପ୍ରୀତିଯୁକ୍ତ, ମାଳତୀ ଫୁଲ । (୩୨) ଅଳିର ଯମକ-ଆଡ଼ମ୍ବର; ଯମକ-କର୍ଣ୍ଣ ସୁଖକର, ସଂଯମ; ଅଳ୍ପକ-ଧୀରେ; ଅଳପକ-କୋମଳ ଭାବରେ, ଅଳ୍ପ । (୩୩) ବନଜ-ପଦ୍ମ; ମୁଖ ବନଜ-ଅରଣ୍ୟଜାତ, ଟଭା; ଦର୍ପକ-ଦର୍ପକାରୀ, କନ୍ଦର୍ପ । (୩୪) ବୃଷାଙ୍କ-ଶିବ, ମୟର, ଜଳ, କନ୍ଦର୍ପ ।

 

ଭାବାର୍ଥ- (୩୧-୩୪) ରେ କୋକିଳ, ମୋ ପ୍ରିୟା ଚନ୍ଦ୍ରଙ୍କ ମିଳନ ଦେଲେ ଆଘାତ ପାଇବ । ବିରହଜନିତ ଦୁଃଖ ଶର ପରି ତାକୁ ନାଶ କରିବ । ସେ ହର୍ଷମନା ପଣ୍ଡିତା ମୋ ବୁକୁ ଉପରେ ବୁକୁ ରଖୁ ମୋତେ ଆନନ୍ଦ ଦେବ । ମୋ କଥା ଭାବି ଭାବି ତା’ର ଦିନରାତି କଟୁ ନ ଥିବ । ମିଳନ ଆଶାରେ ତା’ର ବକ୍ଷୋଜ ଓ ଗଣ୍ଡଦେଶକୁ ଚିତ୍ର କରୁଥବ । ମୋ ପ୍ରିୟା ମାଳତୀ ଫୁଲକୁ ଦେଖ୍ ବିପରୀତ ରତି କଥା ମନେ ପକାଇ ମନ ଦୁଃଖ କରୁଥିବ ।

 

ଭ୍ରମରର ଆଡ଼ମ୍ବର ଓ ସୁମଧୁର ସ୍ୱର ଶୁଣି ତା’ର କାମ ପ୍ରବୃତ୍ତିକୁ ସଂଯମ କରୁଥିବ । ମୋ ଚିନ୍ତାରେ ସେ କ୍ଷଣେ ପାଇଁ ମଧ୍ୟ ପଲଙ୍କରେ ଶୋଇ ପାରୁ ନ ଥିବ । ମୋର କୋମଳ ବଂଶୀ ସ୍ଵନ ଶୁଣି ମୋ ଚିନ୍ତା କରୁଥିବ ଓ ଚନ୍ଦ୍ରକଳା ପରି କ୍ଷୀଣ ହୋଇ ଯିବଣି ।

 

ରେ କୋକିଳ, ମୋ ପଦ୍ମମୁଖୀର ମୁହଁ ଟଭାପରି କଳା ପଡ଼ିଯିବଣି । କାମତାପ ନାଶ ପାଇଁ ଶିବଙ୍କୁ, ତାପ ନାଶପାଇଁ ଚନ୍ଦନ ଓ ଜଳକୁ ମନେ ପକାଉଥିବ । ଗବୀ କନ୍ଦର୍ପ ମୋତେ ତା’ ବିରହରେ ନାଶ କରୁଛି ।

 

ରେ କୋକିଳ, ମୋ କ୍ଷମାସାଗର ଥାଉ ଥାଉ ମୋତେ ରାଧାଙ୍କ କେଶ ମୟୁରପୁଚ୍ଛ ସମାନ କାମଦେବଙ୍କ ଅଙ୍କରେ ଥିବା ନାୟିକା ରତି ଓ ଜଳ ମୋତେ ଦହନ କରୁଛନ୍ତି । ପର୍ବତ ବୃକ୍ଷଦ୍ୱାରା ନିବିଡ଼ ବ୍ରଜକୁ ତୁ ଗମନ କର । ହେ ଭଗବାନ ବିଷ୍ଣୁ, ଉପେନ୍ଦ୍ର । ଭଞ୍ଜକୁ ଶୁଭରେ ରଖ ।