କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
ସିନ୍ଧୁ ତଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରାଜ ।
ସାଧୁଜନେ! ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ ହେ ।୧।
ସେ ଭୂମି ପ୍ରବେଶେ ବ୍ରହ୍ମହତ୍ୟା ପାପହରେ ।
ସାକ୍ଷାତ ହୋଇଛି ଏ କପାଳ ମୋଚନରେ ଯେ ।୨।
ସେ ହୁଏ ଚତୁରଭୁଜ ସେ ଯେ କ୍ଷେତ୍ରେ ରହି ।
ସାକ୍ଷୀ ଏ କଥାକୁଟି ଅଜ୍ଞାନ କାକ ତହିଁ ।୩।
ସ୍ୱପଚ କରୁ ବ୍ରାହ୍ମଣ ତହିଁ ପାଇ ଅନ୍ନ ।
ଶଏ ଜନ୍ମ ପାପ ଗଲା ଭାବି ତୋଷମନ ଯେ ।୪।
ସର୍ବଦାରେ ମୁକତି ପସରା ବସିଥାଇ ।
ସାରେ ପାପ ନର ବରାଟକେ କିଣି ନେଇ ଯେ ।୫।
ସମିଧ ଶରୀର କୃତ ବିଷ୍ଣୁ ନିଜେ ତହିଁ ।
ସୁଦରଶନେ ଆଶ୍ଚର୍ଯ୍ୟ ଅପବର୍ଗ ଦେଇ ଯେ ।୬।
ସ୍ୱରୂପ ଏ ନାସା କର୍ଣ୍ଣ ହସ୍ତ ପାଦ ହୀନ ।
ସ୍ମର କୋଟି ନୋହେ ତେବେ ଶୋଭାକୁ ସମାନ ଯେ ।୭।
ସହସ୍ର ଯୋଜନରୁ ଆଗତ ହୋନ୍ତି ଜନେ
ସବୁରୂପେ ବଶ ହୋଇ ଯାହା ଦରଶନେ ଯେ ।୮।
ଶଙ୍କରଷଣ ଆପଣେ ବେନିପାଶେ ବିଜେ
ସ୍ନେହୀ ବଡ଼ ଭଗ୍ନୀଠାରେ ମଧ୍ୟେ ସେ ବିରାଜେ ଯେ ।୯।
ସୁମନରେ ଉପଇନ୍ଦ୍ର ଭଞ୍ଜ ଏଣୁ ଭାବି
ସୁଭଦ୍ରା ଚରିତ ମୁଁ ଗୀତରେ ବିରଚିବି ଯେ ।୧୦।
ଶୁଣିଅଛି ଭାରତେ ଦ୍ୱାପର ଯୁଗ ଶେଷେ ।
ସଂସାରେ ମାନୁଷଲୀଳା କରିଥିଲେ ତୋଷେ ଯେ ।୧୧।
ସେ ଚରିତ ନବରସ ବର୍ଣ୍ଣନା ବିଧାନେ ।
ସର୍ବରୂପେ ଅବକାଶ ଅଛି କରି ମନେ ଯେ ।୧୨।
ସ୍ମରରସ ହିତ ଶୁଣି ପରମ ହରଷ ।
ସ୍ମରଣ କଥନେ ହେବ କଳୁଷ ବିନାଶ ଯେ ।୧୩।
ସକଳ ରୂପେ ଏ ଲାଭ ଛାଡ଼ିବି କି ପାଇଁ ।
ସଂଖ୍ୟାବାନ ପୂର୍ବ ଭାଗ୍ୟବଶରୁ ବୋଲାଇ ଯେ ।୧୪।
ସୁଜ୍ଞଜନେ ଶୁଣ ଏ ଗୀତରେ ଦେଇ ମତି ।
ସରଳ ପଦମାନଙ୍କେ ମୋହିବ ଏ ଶ୍ରୁତି ଯେ ।୧୫।
ସହିତ ଶ୍ଲେଷ ରୂପ ଯମକ ହୋଇବ ।
ସିଂହାବଲୋକନ ଛଳ ବିରୋଧାହିଁ ଥିବ ଯେ ।୧୬।
ସଚିତ୍ର ହୋଇବ ଛାନ୍ଦବନ୍ଦୀ ଅନୁପ୍ରାସେ ।
ସ୍ଫୁଟ ଆଶ୍ରୟରେ ପୁନରୁକ୍ତି ପଦାଭାଷେ ଯେ ।୧୭।
ସାର୍ଥ ହେବ ଦତ୍ତାକ୍ଷର ଚ୍ୟୁତାକ୍ଷର କାହିଁ ।
ସୁମତି ମୋହିତ ଦତ୍ତଚ୍ୟୁତାକ୍ଷର ଥାଇ ଯେ ।୧୮।
-ବର୍ଣ୍ଣଶ୍ଲେଷ-
ସ୍ୱଭାବ କାକ ଭଲ୍ଳୁକ ଖଳ ଏହି ବେନି
ସନ୍ତୋଷ ଏ ଦୋଷୋଦୟେ ସଭୟ ଏ ଘେନି ଯେ ।୧୯।
ସୈଂହିକେୟ ବିରୋଧୁଁ କି ବିନାଶ ବିଧୁର
ସମସ୍ତ ଦେବଙ୍କ ମିତ୍ର ଶିରେ ଧରେ ହର ଯେ ।୨୦।
ସେହି ରୂପ ଏ ଗୀତ ସବର୍ଣ୍ଣ ଶ୍ରମ ଦେଖି
ସୁଧା ସୁରସିକମାନେ ଚିତ୍ତେ ହେବେ ସୁଖୀ ଯେ ।୨୧।
ସୁର ଶୂର ଶମ୍ବର ଶମ୍ବରାଦି ଦ୍ୱି ରୂପ ।
ସାବଧାନରେ ଶୁଣିବ ପଣ୍ଡିତ କଳାପ ଯେ ।୨୨।
ସାଗର ମଧ୍ୟେ ବିଦିତ ଦ୍ୱାରାବତୀପୁର ।
ସାଦୃଶ୍ୟ ବହିଛି ପଉଲସ୍ତ୍ୟ ଶଇଳର ଯେ ।୨୩।
-ସଭଙ୍ଗ ଶ୍ଲେଷ-
ସଉଧ ସଦନେ ଘନ କୁଣ୍ଡଳୀରେ ଶୋଭା ।
ସେନାନୀ ଗଉରୀ ଈଶେ ପ୍ରକାଶ ପ୍ରତିଭା ଯେ ।୨୪।
-ପର୍ଯ୍ୟାୟ ଶଦ୍ଦ ଶ୍ଲେଷ-
ସୁରଭିକାଳ ପରି ସେ ଶୋଭା ସୁମନରେ ।
ସରସ୍ୱାନ ପ୍ରାୟେ ମହୋଜ୍ଜ୍ୱଳ ଯାଦବରେ ଯେ ।୨୫।
-ଅଭଙ୍ଗ ଶ୍ଲେଷ-
ସ୍ୱର୍ଣ୍ଣଦୀ ପରାୟେ ପାପ ନାଶନରେ କ୍ଷମ ।
ସୁଗନ୍ଧ ପାରିଜାତକ ଫୁଲେ ମନୋରମ ଯେ ।୨୬।
ସୁବଳ ଶଇଳ ସ୍ୱର୍ଗ ଅରଣ୍ୟ ପରାୟେ
ସେ ରାମ ହରି ବିଳାସେ ଅତି ଶୋଭାପାଏ ଯେ ।୨୭।
ସୁରସେନ ସୁତ ଉଗ୍ରସେନ ତହିଁ ରାଜା ।
ସଭିଏଁ କରନ୍ତି ତା ଚରଣ ତଳେ ପୂଜା ଯେ ।୨୮।
ସୁଦେବ ନନ୍ଦନ ତହିଁ ଯାଦବେ ପ୍ରସିଦ୍ଧ ।
ସୁଭାଗ୍ୟରେ ଯାର ପୁତ୍ର ହଳୀ ଚକ୍ରାୟୁଧ ଯେ ।୨୯।
ସଦା ତା ପତ୍ନୀ ରୋହିଣୀ ପୁତ୍ରୀ ପ୍ରାପ୍ତେ ସ୍ନେହୀ ।
ସକାଳେ ଯେ ଚିନ୍ତାର୍ଥୀ ବିଧାତା ବିଚାରଇ ଯେ ।୩୦।
ସମୁଦ୍ର ମନ୍ଥନେ ହେଲେ ଲକ୍ଷ୍ମୀ ଅବତାର ।
ସୁନ୍ଦର ସମୁଦ୍ର ଦେଖି ମନ୍ଥିବା ଏଥର ଯେ ।୩୧।
ସୁରାସୁରେ ବିଦିତ ହୋଇଲେ ହେବ ଗୋଳ ।
ସ୍ୱୟଂ ମନ୍ଥନ ଆରମ୍ଭେ ଗଲା କିଛିକାଳ ଯେ ।୩୨।
ସେକାଳ ମନ୍ଥନେ ଯେତେ ଦ୍ରବ୍ୟ ଜାତ ହୋଇ
ସମ୍ଭବ ସେ ସର୍ବଠୁଳେ ଏକ ରୂପ ତହିଁ ଯେ ।୩୩।
-ରୂପକ-
ସୁବାସ ପାରିଜାତକ ଗତି ଐରାବତ ।
ସୁଧାକର ମୁଖ ଓଷ୍ଠ ଅମୃତ ସଂଜାତ ଯେ ।୩୪।
ସତ ଊରୁ ରମ୍ଭା ନେତ୍ର ତୁରଙ୍ଗ ଉତ୍ତମ ।
ସ୍ମିତହାସ ରତ୍ନରେ ବିଦିତ ମନୋରମ ଯେ ।୩୫।
ସଦ୍ମ ଅଙ୍ଗେ ଲକ୍ଷ୍ମୀ କଲା ସମ ନୋହିବାକୁ ।
ସୁଷମାରେ କି ଉପମା ଦେବା ଆଉ ତାକୁ ଯେ ।୩୬।
ସହରଷେ ଚାହିଁ ତାକୁ କହିଲେ ପ୍ରସ୍ତାବେ ।
ସୁକୃତ କରିଛି ଅତି ନବରୂପୀ ପୂର୍ବେ ଯେ ।୩୭।
ସୋମବଂଶେ ଆଗ ହୋଇ ଲଭିଛି ଜନମ ।
ସମ୍ଭବି ତୁ ରୋହିଣୀ ଗର୍ଭେ ତା ସଙ୍ଗେ ରମ ଯେ ।୩୮।
ସରୋଜସୁତ ବାଣୀ ପାଳନା ଦେବୀ କଲା
ସ୍ୱପ୍ନରେ ଏହା ରୋହିଣୀ ରାତ୍ରରେ ଦେଖିଲା ଯେ ।୩୯।
ସମ୍ପର୍କେ ପତିର ଗର୍ଭଧାନ ମହାଦେବୀ
ସେ ଦିନୁ ଦିଶିଲା ଆନ ଆନ ତନୁଛବି ଯେ ।୪୦।
ସ୍ୱର୍ଣ୍ଣେ ପାରଦ ମିଶିଲା ପ୍ରାୟ ହେଲା କାନ୍ତି ।
ଶୋଇବାକୁ ବସୁଧାରେ ବଳାଇଲା ମତି ଯେ ।୪୧।
ସେ କ୍ଷୀଣତା କଟୀ ତାର ପୃଥୁଳ ଦିଶିଲା
ଶାଟୀକି ଅତି ଯତନେ ପିନ୍ଧିଲେ ଖସିଲା ଯେ, ।୪୨।
ସୁରସ ଅଶନମାନ ହୋଇଲା ବମନ ।
ସୁରଙ୍ଗ ଅଧର ଜମ୍ବୁଫଳର ସମାନ ଯେ ।୪୩।
ସମଗ୍ରେ କୁଚାଗ୍ରେ ଶ୍ୟାମଳତା ଆଶ୍ରେ କଲେ ।
ସଙ୍ଗ ହେଲେ ଭୃଙ୍ଗ ଯୁଗ ପଦ୍ମ କଢ଼ି ତୁଲେ ଯେ ।୪୪।
ସ୍ୱାଦୁପାଇ ମୃତ୍ତିକା ଭକ୍ଷଣେ ଚିତ୍ତ ଥାଇ ।
ସ୍ୱଚ୍ଛନ୍ଦେ ଗମନ ପାଦ ବୁଲାଇ ପକାଇ ଯେ ।୪୫।
ସଂପୂର୍ଣ୍ଣ ଦଶମାସରେ ଜନ୍ମ ହୋଇଲା ଜେମା ।
ସୂତିକା ଗୃହ-ଗଗନେ ଉଦୟ ଚନ୍ଦ୍ରମା ଯେ ।୪୬।
ଶୁଭିଲା ଏ ଶବଦ ରୋହିଣୀ ରତ୍ନାକର ।
ସର୍ପ-ରଜ୍ଜୁ ରୋମାବଳୀ ଉରଜ ମନ୍ଦର ଯେ ।୪୭।
-ଚ୍ୟୁତ ଦତ୍ତାକ୍ଷର ଶ୍ଲେଷ-
ସୁଯୋଗେ ସୁର ଦଇତ ମନ୍ଥନର ବେଳେ ।
ସମ୍ଭୂତ ସୁନ୍ଦରୀ ଶିରୀ ହେଲା ଏତେବେଳେ ଯେ ।୪୮।
-ଦତ୍ତାକ୍ଷର ଶ୍ଲେଷ-
ସ୍ୱନ ଶୁଣି କୁମାରୀର କେହି କେହି ଭାଳେ ।
ସତ୍ୱରେ ପୁଚ୍ଛିଲେ ପିକ ଡାକୁଛି କି ସାଳେ ଯେ ।୪୯।
ଶିଳାଧୂପ ସେ ରୋଦନ ପଞ୍ଜରୀ କୀରକୁ ।
ସହଜ ହେଲା ଅଛି କି ଉପମା ଦେବାକୁ ଯେ ।୫୦।
ସର୍ବଜ୍ଞ ଜ୍ୟୋତିଷେ ଶୁଣି ଜନମ ପୁଚ୍ଛିଲା ।
ସେ କହିଲା ଅତି ଶୁଭ ଲଗ୍ନେ ଜନ୍ମ ହେଲା ଯେ ।୫୧।
ସପ୍ତଦିନ ବିଧିସାରି ମାଙ୍ଗଲ୍ୟ ଦିନରେ ।
ସୁଭଦ୍ରା ନାମ ବିଧାନ କଲେ ନନ୍ଦିନୀରେ ଯେ ।୫୨।
ସୁରୁଚି ବଢ଼ଇ ଶୁକ୍ଳପକ୍ଷ ଶଶୀ ପରି ।
ସଯତ୍ନ ଧାତ୍ରୀ ପାଳନେ ବଢ଼ଇ କୁମାରୀ ଯେ ।୫୩।
ସନ୍ତୁଷ୍ଟ କୁତ୍ରିମପୁତ୍ରୀ ଖେଳରେ ତା ମତି ।
ସମୀପରୁ ଜନକ ଘଡ଼ିଏ ନ ଛାଡ଼ନ୍ତି ଯେ ।୫୪।
ସପ୍ତମ ଅଷ୍ଟମ ଶେଷେ ନବମ ବରଷେ ।
ସୌନ୍ଦର୍ଯ୍ୟ ବିଧି ତା ଅତିଶୟରେ ପ୍ରକାଶେ ଯେ ।୫୫।
ସୁକବି ଅନ୍ୟୋଽନ୍ୟେ ବାଦେ ଶ୍ରୀମୁଖକୁ ଚାହିଁ ।
ସୁଦୃଷ୍ଟି ।୫୦।କମାନଙ୍କୁ ଏ ରୂପରେ ବିହି ଯେ ।୫୬।
ସୁମୁଖୀ ଲପନ ଶୋଭା କୀର୍ତ୍ତିନାରୀ ହେଲା ।
ସୁମନପୁରେ ପଙ୍କିଳପଥେ ଯାଉଥିଲା ଯେ ।୫୭।
ସୋପାନ ବିଚାରି ଶଶୀପରେ ପାଦ ଦେଲା ।
ସେ ପଙ୍କ କଳଙ୍କ ହୋଇ ଅଙ୍କରେ ରହିଲା ଯେ ।୫୮।
ସମ୍ଭାବ୍ୟ ନୋହିଲା ଏଣୁ ଚନ୍ଦ୍ରମୁଖୀ ପଦ ।
ସ୍ମରି ସ୍ମରି ଉତପ୍ରେକ୍ଷା କଲାକ କୋବିଦ ଯେ ।୫୯।
ସରୋଜ ଶଶୀ ମୁଖକୁ ହୋଇ ଅସମାନ ।
ସଲିଳରେ ବୁଡ଼ି ମରିଥିଲେ ଲଭି ମାନ ଯେ ।୬୦।
ସମ ଏ ଦ୍ରବ୍ୟ ନୋହିଲେ ଆଉ ଦ୍ରବ୍ୟ କିସ ।
ସୃଷ୍ଟିରେ ଆଉ କେ ଥିବ ବଦନ ସଦୃଶ ଯେ ।୬୧।
ସଦୟେ ଏଥିକି ତହୁଁ ଧାତା ଉଦ୍ଧରିଲା ।
ଶୂନ୍ୟେ ବନେ ସେ ବେନି ଦ୍ରବ୍ୟକୁ ସ୍ଥାନ ଦେଲା ଯେ ।୬୨।
ସୁନ୍ଦରୀମା ରଜନୀ ଦିବସେ ନ ଦେଖାଇ
ସୁବୁଦ୍ଧି କଳ୍ପନାରେ କେ ବୁଧ ଏହା କହି ଯେ ।୬୩।
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ଶ୍ଳୋକରେ ଶୋଭା ଯଶ ।
ସମୟେ ସୁଭଦ୍ରାର ହୋଇଲା ପରକାଶ ଯେ ।୬୪।
ସଦାନନ୍ଦ ସୁଖଦାତା ହେ କୃଷ୍ଣସୁନ୍ଦର ।
ସୁବାହୁ ବିଜୟୀ ଚନ୍ଦ୍ର ହାସେ ଶୋଭାକର ଯେ ।୬୫।
ସୀତାବ୍ଜ ବଦନ ମନୋହର ରୂପ-ଧର ।
ସନ୍ତାପ ଉପଇନ୍ଦ୍ର ଭଞ୍ଜର ମନୁ ହର ହେ ।୬୬।
ସୁଜନେ ଶୁଣ ଲଭି ନବ ଯୌବନ ଅଧିକ ରାମା ସୁଷମା,
ସୁନ୍ଦରେ ସୁନ୍ଦର ମିଶିଲା ଉତ୍ତାରୁ ତହିଁ ଆଉ କି ଉପମା ।
ସିଦ୍ଧ ରସାରମଣୀକି ଶିରୋଧାର୍ଯ୍ୟ ମଣି ମିଳିଲା ସେ ଏବେ,
ସମ୍ଭାବିତ ରାମାମଣି ବୋଲିବାର ଏହା ସେହି ବାଳା ଠାରେ ।୧।
ସଶଙ୍କେ ହରିଅଙ୍କେ ପଶି ଉଚ୍ଛନ୍ନ ମନୁ ନ ତେଜିଣ ଶିରୀ,
ସର୍ବାଙ୍ଗେ ବାଳାର ନନନ୍ଦା ସ୍ନେହରେ ଆସି ଆଲିଙ୍ଗନ କରି ।
ସର୍ବାଙ୍ଗେ ଶିବଅଙ୍ଗେ ଲୀନ ହେବାରୁ ଲୋଡ଼ା ପାର୍ବତୀର ଗୁଣ,
ସୁମନ-ପୁରୀ ମଣ୍ଡନ ଯେତେ ନାରୀ ଅଙ୍ଗେ ଅଙ୍ଗେ ତା ଶରଣ ।୨।
-ରୂପକ ଶ୍ଲେଷ-
ସ୍ୱଭାବରେ ମଦାଳସା ଊରୁ ରମ୍ଭା ଚନ୍ଦ୍ର କଳା ମନ୍ଦହାସେ,
ସିହାଣୀ ଚାହାଣି ମନୋରମା ଭୂରୁ ଚିତ୍ରଲେଖା ପ୍ରାୟେ ଦିଶେ ।
ସରସ ମୃଦୁବଚନେ ମଞ୍ଜୁ ଯେଷା ତିଳୋତ୍ତମା ସହଜରେ,
ସମ୍ମତ ସବୁରୂପରେ କଳାବତୀ ପଦ ସିଦ୍ଧି ତାହାଠାରେ ।୩।
ସ୍ରଷ୍ଟା ପ୍ରମାଦକୁ ନିର୍ମାଣ କାଳରେ ଶୋଭା ଚାହିଁ ମୋହ ହୋଇ,
ସପୀଡ଼ିତ କାମେ ହେବାରୁ ଭ୍ରମରୁ ହୁଡୁଥିଲା କୁଚ ଦୁଇ ।
ସଂସାର ଗୁରୁ ହୋଇ ନବବିଧାତା ଜାଣି ଯୌବନ ସମୟ,
ସମସ୍ତ ଅଙ୍ଗରୁ ଉଚ୍ଚ ମେରୁପରି ଉରେ କଲା ଉଦୟ ।୪।
ସନ୍ତତ ନୟନ ଚଞ୍ଚଳ ହୋଇଲା କଟୀ ଦେଖି ଭୟ ପାଇ,
ଶାଟୀରେ ଲୁଚିଲା କଟୀ ଭୀତିବଶେ ନେତ୍ର ତରଙ୍ଗ ଅନାଇ ।
ସେହି ଉଭୟ ଭୟକୁ ନିବାରଣେ ଗଢ଼ୁଥିଲା ବେନିସ୍ତନ,
ସୁଚିରେ ଲୁଚି ସେ ଅତି ନ ବଢ଼ିଲେ କରି କେଶ ଦରଶନ ।୫।
ସୂତ୍ର ସେ କେଶ ଚରମ ଆସ୍ତେ କଲା ଦେଖି ଉରଜ ଉନ୍ନତି,
ସୁଦୁର୍ଲଭ ମୁଖେ ଦର ଲଭି ପଦ ଆରମ୍ଭିଲା ମନ୍ଦଗତି ।
ସରୁ ଲୋମାବଳୀ ଉଦରେ ଅଙ୍କୁର ପିପୀଲିକା ଶ୍ରେଣୀ ପରି,
ସରୋବରେ କି କଳା ଅହି ରହିଲା ନାସା ଖଗେନ୍ଦ୍ରକୁ ଡରି ।୬।
ସୁରଙ୍ଗ ଅଧର ଅତିଶୟ ରଙ୍ଗ ଦିନୁ ଦିନୁ ହେଲା ତହିଁ,
ସିନ୍ଦୂରରେ ସ୍ନାନ କଲାକି ଅରୁଣ ଗୁଣ ମନ୍ଦହାସେ ଶୋହି ।
ସ୍ୱର୍ଭାନୁ ଅଳକା ସାଜିବା ଦେଖିକି ମାଣିକ୍ୟ ରୂପରେ ଶଶୀ,
ସବୁପ୍ରକାରେ ଗୁପତ ହେଉଅଛି ଝଟକ ମାତ୍ରକ ଦିଶି ।୭।
ସଉରଭପୁର ହୋଇଲା ଶରୀର ପଦ୍ମ ଯେ ହାରିଲା ମୁଖେ,
ସର୍ବତୋମୁଖେ ବୁଡ଼ାଇ କି ତା ଦୋଷ ଛଡ଼ାଇ ବିହିଲା ସୁଖେ ।
ସତିଳ ଗଣ୍ଡ ମଣ୍ଡଳ ତା ଦିନକୁ ଦିନ ଦିଶେ ଅତି ଝଳି,
ସେବିତ ହୋଇଲା ଦର୍ପଣ ପୁରତେ ଯାହା ଚାହିଁ ଦର୍ପ ଦଳି ।୮।
ସରିଲା ବୀଣା ବଡ଼ପଣ ତରୁଣୀଶୁକ ପଢ଼ାଇବା ଶୁଣି,
ସ୍ୱଆୟତ୍ତେ କିଛି ନ ଭାଷି ସେ ପର ପୀଡ଼ାରେ ପ୍ରକାଶେ ବାଣୀ ।
ସୁକୁମାରୀର କଣ୍ଠ ଛବି ଅନାଇ ଶଙ୍ଖ କୁନ୍ଦେ ସଙ୍ଗ ହୋଇ,
ସନ୍ଧ୍ୟା ପ୍ରଭାତେ ଶିବେ ସ୍ତୁତି ଆରମ୍ଭେ କିଛି ଲକ୍ଷ୍ୟ ହେବା ପାଇଁ ।୯।
ସଦ୍ମକଲେ ତାଳପତ୍ରକୁ ଘଉଡ଼ି ଶ୍ରବଣଯୁଗେ ତାଟଙ୍କେ,
ସୁରାଚାର୍ଯ୍ୟ ଶୁକ୍ର ଅନାଇ କହିଲେ ତୋ ସମ ନାହିଁ ତ୍ରିଲୋକେ ।
ସ୍ପୃହା ବଶରେ ଭୁଜକୁ ଶୋଭା କଲା ହରିତାଳ କାଳି ଚିତ୍ରେ,
ସୁମନଲିଟ ଲମ୍ପଟ ଚମ୍ପାଦାମେ ହେଲା, ତା ମୋହନ ମନ୍ତ୍ରେ ।୧୦।
ସଞ୍ଚ ନିତମ୍ବ ବିମ୍ବହୋଇ ପୀବର ରୂପକ ଘେନି କି ରୁଚି,
ସ୍ୱତ ଦମ୍ଭଚ୍ଛେଦ ଚକ୍ର ଥୋଇଲା କି କାମ ତର୍ଜନାରେ ଆଞ୍ଚି ।
ସପ୍ତଳା କଳୀକି ଦଳିଲା କରଜ ମଞ୍ଜୁ ମଞ୍ଜୁଆତି ରସେ,
ସରଙ୍ଗ ହେବାରୁ କରବୀର କଳି ଝକି ସବୁରୂପେ ଦିଶେ ।୧୧।
ସଘଟଣ ଊରୁଯୁଗଳ ଭୀରୁ ବର୍ତ୍ତୁଳ ଅନଉପମ,
ସଫଳ ହୀନ ଦନ୍ତୀଦନ୍ତ ସ୍ତମ୍ଭକେ ଉପଲିପିଲା କୁଙ୍କୁମ ।
ସଘନ ଜଘନ ହେଲା ଭଦ୍ରାସନ ଶୋଭନକୁ କଲା ହାସ,
ସଉଦାମିନୀ କାମିନୀ କାନ୍ତିଲବ ନ ପାଇ କ୍ଷଣ ପ୍ରକାଶ ।୧୨।
ସୁବର୍ଣ୍ଣ ପାଚକ ବୟଃ ସନ୍ଧିକାଳ ବିଧିବଶେ ହେଉଁ ମେଳ,
ସୁତନୁ ହେମତନୁକୁ ଦିନୁ ଦିନୁ ବିଶେଷ କଲା ଉଜ୍ଜ୍ୱଳ ।
ସଉଚ୍ଛକେ ଚାହିଁ ସେ କାନ୍ତି କେତକୀ ରହିଲା କଣ୍ଟକ ଦୁର୍ଗେ,
ସୁବର୍ଣ୍ଣଚୁଡ଼ି ପୀତାମ୍ବର ଥିବାର ବାରିତ ନୋହିଲା ଅଙ୍ଗେ ।୧୩।
ସଙ୍ଗୀତ ବିଦ୍ୟା ଆଦିଦେଇ ସେନେହୀ ଶାରଦା ସୁବୁଦ୍ଧି ବଳେ,
ସୁଚରିତ୍ର ଆଉ ସୁନ୍ଦରୀମା ଗୋଳ ନ କର ଭାଳି ମୋ ତୁଲେ ।
ଶୁଣି ସମସ୍ତ ସୁନ୍ଦରୀ ପରାଜୟ ରତି ପଶିଲା ମତିରେ,
ସୁଜାଣ ରାମା ଜାଣିଲା ରତି ହୋଇ କଥାଏ ଅଛି ସଂସାରେ ।୧୪।
ଶୁଭୁ ମୁଁ ସୁନ୍ଦରୀ ସୃଷ୍ଟି ରାଜା ବୋଲି ଏ ଛଳେ ଛଳି ଅବଳା,
ସଘଣ୍ଟି ନୂପୁରୁ ବଳା ବୀରତର ଚରଣରେ ବଜାଇଲା ।
ସାଧାରଣ ନୋହେ କିଶୋରୀ କୁଟିଳ କଳା ମନ୍ଦ କୃଶ ଚାରି,
ସର୍ବତ୍ରଠାରେ ଶୋଭାହୀନ ବୋଲନ୍ତି ତାହାକୁ ସୁନ୍ଦର କରି ।୧୫।
ସମ୍ଭାଳିଛି ପୁଣି କେଶ ହାସ ଗତି କଟୀ ମଧ୍ୟେ ନିରନ୍ତର,
ଶୁଣି ଏ ଶଦ୍ଦ ତାହା ଅଙ୍ଗେ ମିଳିଲେ ଆସି ସର୍ବ ଅଳଙ୍କାର ।
ସଂହନନ ଛୁଇଁ ବାଳାର ଅଧିକ ସୁନ୍ଦର ହୋଇବା ପାଞ୍ଚେ,
ସ୍ୱଚ୍ଛ ଭୂଷଣ ଭୂଷଣ ବୋଲାଇଲେ ବଳି ସ୍ୱର୍ଗେ ତଳେ ମଞ୍ଚେ ।୧୬।
ସମୟ ବଶୁଁ ଦିବସକୁ ଦିବସ ହେଲା ଆନ ଆନ ରୀତି,
ଷାଠିଏ ଚାରି ବନ୍ଧପଟେ ସହିଲା କୃତ୍ରିମ ପୁତ୍ରିକା ପ୍ରୀତି ।
ସଂଯୁକ୍ତା ହୋଇଲା ବିଦ୍ୟା ଗୁରୁ ଭୟ ଦର୍ପକ ଠାବରେ ଯାଇଁ,
ସୁଧା ଚନ୍ଦନ ରଜ ଖୋଳା ଶ୍ରଦ୍ଧାରେ ନିରଦ୍ୱନ୍ଦ୍ୱ ହୋଇ ରହି ।୧୭।
ସାରଙ୍ଗ ଦନ୍ତ ପଲ୍ୟଙ୍କେ ସମର୍ପିଲା ଧାତ୍ରୀ କୋଳ ସ୍ନେହମାନ,
ସ୍ୱଚ୍ଛନ୍ଦ ଭ୍ରମଣି ଯାଇ ଅବରୋଧେ ବନ୍ଦୀ ହେଲା ପ୍ରତିଦିନ ।
ସମବୟସୀ ବୟସୀରେ କପଟ କରାଇଲା ଲଜ୍ଜା ଆଳୀ,
ସଖୀ ପରିହାସ ବନକମାନଙ୍କୁ କହି ଜାଣିଲା ସେ ଛଳି ।୧୮।
ସମ୍ପୁଲ ତିଳପ୍ରସୂନ ପରା ନାସା ଭାଷା କହିବାର ବେଳେ,
ସାରଙ୍ଗ ଗତି ଚାହିଁ ହୃଦ ପଦକ ମଣିକି ଏମନ୍ତ ବୋଲେ ।
ସହଚରୀରେ କାହିଁପାଇଁ ଏହାକୁ ନାୟକ ବୋଲନ୍ତି ବୁଧ,
ସତ କହିବୁଟି କପନ ନ କରି ମୋ ମନ ହୋଇବ ବୋଧ ।୧୯।
ସେ ଶୁଣି ବୋଇଲେ ନାୟକଟି ସେହି ହୃଦେ ନିରତେ ଯେ ଥାଇ,
ସେତକ ଇଙ୍ଗିତ ଘେନି ସେ ଚତୁରୀ ନମ୍ରବଦନ ହୁଅଇ ।
ସରାଗ ଦୃଷ୍ଟିପାତ କରେ ତହିଁରେ ଫୁଲେ ଭୃଙ୍ଗ ହେଲେ ଯୁତ,
ସଅର୍ଥ କରି ଶୁଣଇ ଅନୁରାଗ ପୂର୍ଣ୍ଣ ଯେତେ ଯେତେ ଗୀତ ।୨୦।
ସୁବିମ୍ବ ଚାହିଁ ଦର୍ପଣେ ଚୁମ୍ବିବାକୁ ଗୋଜ କରନ୍ତେ ଅଧର;
ସଜନୀ ଦେଖିଲେ ବଞ୍ଚାଇ ତାମ୍ବୁଳ ତଳେ ପକାଇ ସତ୍ୱର ।
ସମୁଦ୍ଗତ ଚିତ୍ର ଘେନିବା ଛଳରେ ରଖିଥାଅ ପାରଶ୍ୱରେ,
ସମକଚ୍ଛ ବକ୍ଷୋରୁହ ତୁଳପରି ଏକାନ୍ତ ହୋଇବା ଠାରେ ।୨୧।
ସାନ ଦେଖି ତାକୁ ଅତି ଆନନ୍ଦରେ ଚିତ୍ତେ ଏ ଗର୍ବକୁ ବହି;
ସୁମେରୁ ଯାହା ସମାନ ହୋଇଲାକୁ ଦେବେ ବାସ କଲେ ତହିଁ ।
ସବିତାକର ନିରନ୍ତର ନ ଛାଡ଼େ ଏମନ୍ତ ରମ୍ୟ ସେ ସ୍ଥାନ,
ସରିଷପ ତାହା ତୁଲେ ସମକଲେ କେହି ହୋଇବ ସମାନ ।୨୨।
ସାରକୁ ସାର ବଡ଼କରି ମାରଇ ପଶା ଖେଳିବାର ବେଳେ,
ସକ୍ରୋଧ ହେଉଥାଉ ଲକ୍ଷ୍ୟ ହେଉଁ ଏ ଥାନ୍ତି ବୋଲି କୁଚ ତୁଲେ ।
ସୁବେଣୀ ଜୁଡ଼ା ଖୋଷା ତିନି ବିଧାନ ଦିନେ ଦିନେ କରେ କେଶେ,
ସଯତ୍ନେ ବେଶରେ ଗୁଣା ବସଣିକି ସେ ଛବିରେ ମଣ୍ଡେ ନାସେ ।୨୩।
ସରିବାର ନୋହେ କଥନ କୁସୁମ ସମୟ ଉତ୍ସବ ତାର,
ସାତଦିନ ବନ୍ଦୀ ମନ୍ଦିରେ ରହିଲା ଘେନି ସେ କୁଳବେଭାର ।
ସାରଣା କଲା ମଦନକୁ ଜଗତେ ଜିଣଇ ଦେବି ନିଶ୍ରମେ,
ସହସ୍ରାକ୍ଷ ଜାଣି ଦର୍ଶନ ଲୋଭରେ ପ୍ରଶଂସିଲେ ଗଉତମେ ।୨୪।
ସୀମା ଦ୍ୱୟ ଗଜ କି ଅଛି କାମର ରାଜନ ବୋଲନ୍ତି ସର୍ବେ,
ସଂଶୟ ମନେ ହେଉଥାଇ ତା ରାମା ଯୁବାକାଳେ ଛେଦେ ଏବେ ।
ସାରଙ୍ଗ ତରଙ୍ଗ ନୟନ ତୁରଙ୍ଗ ଅଙ୍ଗଦେଶେ ମନୋହର,
ସମଦ କୁଞ୍ଜର ଗଗନ ଏ ଘେନି ଚକ୍ରବର୍ତ୍ତୀ ପଞ୍ଚଶର ।୨୫।
ସାର୍ଥକ ପୁଣି ବୀରପଦ ତାହାର ନବ ରସବତୀ ଘେନି,
ସାରଙ୍ଗ କପାଳେ ନେତ୍ର ତୀକ୍ଷ୍ଣ ଶର ରଥାଙ୍ଗ ତାଟଙ୍କ ବେନି ।
ଶାୟକ ଗନ୍ଧ ତିଳକ ଦିବ୍ୟଫରୀ ନିର୍ମଳ ଲଲାଟପଟ,
ସମାଧି ଭଙ୍ଗ ହୋଇବେ ଶିତିକଣ୍ଠ ଏଥର ହୋଇଲେ ଭେଟ ।୨୬।
ସତାଇଶ ପଦେ ଛାନ୍ଦ ଶେଷ ତୋଷ ଉପଇନ୍ଦ୍ର ଭଞ୍ଜ ମତି
ସକାର ମିଳି ଛାନ୍ଦ ପୂର୍ଣ୍ଣ ହେବାର ଗୋମୂତ୍ରେ ବିଷ୍ଣୁଙ୍କ ସ୍ତୁତି ।
ସୁଦରଶନ ଧର ନରନାୟକ ବିପତ୍ତି ଦର୍ଶନେ ହରି,
ସୁଦରଶନ କର ଦରଦାୟକ ବିପତ୍ତି ଆସ କରି ।୨୭।
ସୁମନେ ଶୁଣ ସୁଜନେ ସୁଭଦ୍ରା ଅଙ୍ଗ ବର୍ଣ୍ଣନେ ଉଚ୍ଛନ୍ନ ହେଉଛି ଚିତ୍ତ ଉପମା କାହିଁ ।
ସଦୃଶ ଏକା ତାକୁ ସେ, ବିମ୍ବ ଯା ଦର୍ପଣେ ଦିଶେ ଚିତ୍ର ଲେଖିବାକୁ ରଙ୍ଗାଜୀବ ତ ନାହିଁ ।
ସହସ୍ର ବଦନେ ଅନନ୍ତ ।
ସ୍ୱରୂପ ଶୋଭାକୁ କରୁଛନ୍ତି କବିତ୍ଵ ।୧।
ସମାନ ଦ୍ରବ୍ୟ ସମାନ ଅମୂଲ୍ୟ ଦ୍ରବ୍ୟ କି ଘେନ ଏ ଘେନି ଅନଉପମା ହେଲା ଚତୁରୀ ।
ସୁନାତୁଲେ ଗୁଞ୍ଜଫଳ ହୋଇଲା ପରାୟେ ତୁଳ ବର୍ଣ୍ଣିବି ମୁଁ ରହିବାକୁ କବି ଚାତୁରୀ ।
ସାର ସେ ସଂସାରେ ସୁନ୍ଦରୀ
ସରି ଚରଣ ଘଷା ଶିଳାକୁ କିନ୍ନରୀ ।୨।
ସକୁନ୍ତଳା ସକୁନ୍ତଳ ନୀଳ କୁଟିଳ ଗହଳ ଚିକ୍କଣ ଲମ୍ବ ବିଭିନ୍ନ ବାସ ନିବାସ ।
ସୁଦୃଦ ମୂଢ଼ ବରହୀ ପୁଚ୍ଛ ଲକ୍ଷ୍ୟ ହେବା ପାଇଁ ଗଳଥା ପାଇଲା ଯାଇଁ ଲୋକେଶ ପାଶ ।
ସେ ଚିହ୍ନ ଚନ୍ଦ୍ରିକା ପ୍ରମାଣ ।
ସଭୟ ହୋଇଲେ ଶୁଣି ଉପମାଗଣ ।୩।
ଶୀକର ଅଶ୍ରୁ ନିକର ମୁଞ୍ଚି କାଳେ ଜଳଧର ଉଦେ ହୋଇ ଅନୁକ୍ଷଣେ କରେ ଯା ଘୋଷ ।
ଶୁଣାଇ ସବୁଙ୍କୁ କହି ମୁଁ କେଶ ସମାନ ନୋହି ଘନକେଶୀ ବୋଲିବାର କବିଙ୍କ ଦୋଷ ।
ସୁହୃଦତା କଜ୍ଜ୍ୱଳ କଲା ।
ସଦଳିତ ହୋଇ ନେତ୍ର ଅଞ୍ଜନ ହେଲା ।୪।
ସୁମନସେ ଦେଇ ଚୁମ୍ବ ଝଙ୍କାର ଛଳେ ରୋଲମ୍ବ କହନ୍ତି ବିନୟ ବାଣୀକି ଅନୁସରି ।
ସୁନାରୀ କେଶ ଅର୍ଚ୍ଚନେ ତୁମ୍ଭଙ୍କୁ ନେଲେ ବଚନେ କହିବି ଆମ୍ଭମାନଙ୍କୁ ସମ୍ଭାଳିକରି ।
ସୁମନରଜେ ସେ ଧୂସର ।
ସୁକେଶୀ ତୋ କେଶଛବି ହ୍ରାସ ଭ୍ରମର ।୫।
ସୁରସୁତା ବୀଚୀ ଛଳେ କର ଉପରକୁ ତୋଳେ ହାରିଲି ବୋଲି ଓଳଗି କି ଶିରୋଧାର୍ଯ୍ୟ ।
ସୁପର୍ଣ୍ଣଠାରେ ତକ୍ଷକ ଶରଣ ଗଲା ପ୍ରାୟକ କବରୀ ମଧ୍ୟେ ଚାମର ଲୁଚିଲା ଲାଜେ ।
ସଂଜ୍ଞାବହ ଲଭି କି ତମ ।
ସତ୍ୱରେ ଗହ୍ୱରେ ଯାଇ କଲା ବିଶ୍ରାମ ।୬।
ସିଂହିକାସୁତ ବିବେକ କେଶ ଉପମାରେ ଧିକକରିବେ ମୋତେ ଲୋକେ ଏହା ଜାଣିଲା ।
ସହି ନ ପାରିବି ମାନ ସହିବି ସୁଦରଶନ ଘାତକୁ ଏ ପାଞ୍ଚେ ଆଗୁଁ ଦ୍ୱିଖଣ୍ଡ ହେଲା ।
ସେହିକଥା ଏବେ ସେ ଗୁଣି ।
ସୁଧା କାହିଁକି ଖାଇଲି ହୁଅଇ ଗୁଣି ।୭।
ସୂତ୍ରାମାମଣି ମାଳିକା ଶିଶୁଚକୋର ପାଳିକା ଧିକ୍କାରେ ଝଳି ଅଳକାବଳୀ ସୁଷମା ।
ସାରଙ୍ଗ ମଦେ ମଦନ ଲେଖିଛି ଜନ ମୋହନ ମନ୍ତ୍ର କି ଦେବନାଗରେ ଏହି ଉପମା ।
ସଘଟିତ ଶୁଭ ପ୍ରକାଶେ ।
ଶିଷ୍ଟ ତମାଳ ଅଙ୍କୁର ତୋରଣା କି ସେ ।୮।
ସ୍ୱୟମ୍ଭୁ ବାଣଠାବରୁ କର ଋଣ କରି ଭୀରୂମଣିର ନିର୍ମାଣି ସାରି ଚାରୁଚିକୁର ।
ସିଞ୍ଚାଡ଼ି ଦେଲା ଯେ ପାଣି ଶେଷକଳା ପଡ଼ି ଶ୍ରେଣୀ ଭୂତେ ରହି ବିନ୍ଦୁ ବିନ୍ଦୁ ହୋଇ ସୁନ୍ଦର ।
ସୁଦୃଷ୍ଟି ଏ ରୂପେ ହୁଅଇ ।
ସୁମତି ଚୂର୍ଣ୍ଣ କୁନ୍ତଳ ବୋଲି ନ କହି ।୯।
ସୃଷ୍ଟିକର୍ତ୍ତା ଜାତସ୍ଥାନ ସୁ ଶ୍ରୀନିବାସ ତପନ ଶ୍ରୀନିବାସ କରେ ବାସ ପୁଣି ମୋହର ।
ସାରସ ଏ ଗର୍ବ ବହି ଶୁଭ୍ରାଂଶୁ ଏମନ୍ତ ତହିଁ ମୁହିଁ ସାଗର କୁମର ସୁଧା ଶରୀର ।
ସୋଦର କମଳାର ପୁଣି ।
ସାଧୁ କେଡ଼େ ନାରୀମୁଖ ନୋହିବ ଜିଣି ।୧୦।
ସତ୍କବି ହୃଦୟ ମାତ୍ରେ ଏ ପାଞ୍ଚ କରି ତ୍ଵରିତେ ଲପନ ସଙ୍ଗତେ ତୁଳି ହୁଅନ୍ତେ ଆସି ।
ସେ ବିଜ୍ଞ ଜାଣି କମଳ ଫିଙ୍ଗିଦେଲା ପଡ଼େ ଜଳ ତୁଳିବାରେ ଲଘୁ ହୋଇ ଊର୍ଦ୍ଧ୍ୱଗ ଶଶୀ ।
ସଂଯୋଗ ତୁ ହୀନ ଦଇବ ।
ସେ ଯୋଗରେ କଲା ଏଥି ଏହା କହିବ ।୧୧।
ସଦାଶିବ ଗୁଣମୟୀ ଦୁହେଁ ତ୍ରିପୁର ବିଜୟୀ ବୋଲାଇବା ସକାଶୁଁ କି ଆରମ୍ଭି କଳି ।
ସମମଣ୍ଡଳ ଶର୍ବରୀପତି ଦୁଇଖଣ୍ଡ କରି ବାଣ୍ଟି ନେବାରେ କଳଙ୍କ ପଡ଼ିଲା ଗଳି ।
ସୁବିଖ୍ୟାତ କଲା ମୁକୁଟ ।
ସଘଟଣା ହୋଇଲା ଯେ ବାଳୀ ଲଲାଟ।୧୨।
ସହସ୍ରଭୁଜ ବଇରୀ ପୂର୍ବରେ ରାମକୁ ହାରି ଦେଇଥିଲେ ଧନୁ ଆଉ ଥିଲା ପରଶୁ ।
ସୁବେଣୀକି ରାମା କହି ଆକାରେ ଅଧିକ ଏହି ଅର୍ପିତ କଲେ କି ତାହା ଏ ଭୟବଶୁଁ ।
ସ୍ୱବଡ଼ାଇ ପ୍ରକାଶେ ଭୀରୁ ।
ସର୍ବ ଦେଖାସ୍ଥାନେ ଥୋଇ ବୋଲାଇ ଭୂରୁ ।୧୩।
ସତ ରଜ ତମ ନେତ୍ର ନିର୍ମିତ ଅତି ବିଚିତ୍ର ଶ୍ୱେତ ରଙ୍ଗ କଳା ତିନିବର୍ଣ୍ଣ ସେ ଏଣୁ ।
ସମାଧାନ କଲା ବିଧି ମଣିମନ୍ତ୍ର ମହୌଷଧି ତ୍ରିବିଧ ବଶୀକରଣ ଜଗତ ଯେଣୁ ।
ସବଶ ନୋହିବ କେ ଜନ ।
ସ୍ୱୟଂଭୁ ସ୍ୱୟଂଭୁବ ଯେ କରିବ ଚ୍ଛନ୍ନ ।୧୪।
ସଂହାରିଣ ଯୁବାଦମ୍ଭ ମୁନିମାନଙ୍କୁ ଆରମ୍ଭ ଶୂଳୀ ନେତ୍ରାନଳେ କାମ ଭସ୍ମିତ ହେଲା ।
ଶରବ୍ୟୟ ଜଗଜ୍ଜୟନିମିତ୍ତେ ନିର୍ମାଣମୟ ସେ ସୁକୃତବଶେ ଆଣି ଏ ଜନ୍ମ ଦେଲା ।
ଶାଳି ଶଙ୍ଖ ନୀଳ ହିଙ୍ଗେୁଳେ ।
ସୂକ୍ଷ୍ମ ପକ୍ଷ୍ମ ପକ୍ଷକୁ ଲଗାଇ ମଞ୍ଜୁଳେ ।୧୫।
ସୁରଶିଳ୍ପୀ ତା ଜାଣିଲା ଭାବେ ସଂସାର ବୁଡ଼ିଲା କି ରୂପେ ହୋଇବ ରକ୍ଷା ବୁଦ୍ଧି ବିଚାରି ।
ସୀତାପତି ବେନିଖଣ୍ଡ ଖଣ୍ଡ ପରଶୁ କୋଦଣ୍ଡ କରିଥିଲେ ତାହା ଆଣି କପାଳ କରି ।
ସନ୍ଧି ଏହି ଧନୁରେ କହି ।
ସେ ତୋଳି ନ ପାରି ଲାଜେ ନିବର୍ତ୍ତି ରହି ।୧୬।
ସଦୃଶ କାହିଁକି ମୋତେ ନେତ୍ରକୁ କଲେ ଜଗତେ ସେହି ଡରେ ମୁଁ ତ ଆସି ଅରଣ୍ୟେ ରହି ।
ସପତ୍ନୀତା ମୋତେ କରି ସେ ଶର ସ୍ୱରୂପ ଧରି ଖେଳ ବ୍ୟାଜେ ଖୋଜୁଅଛି ପଶିବି କାହିଁ ।
ସତ୍ୟ ସତ୍ୟ ମୃଗ ଏ ଭୟେ ।
ସଚଞ୍ଚଳ ହୋଏ ଏକା ମାରୀଚ ପ୍ରାୟେ ।୧୭।
ସମେ ଯେ ଆଉ ଖଞ୍ଜନ ସେ ଦେଖି ନେତ୍ର ଅଞ୍ଜନ ଭାବେ ଏତ ଅଠାକାଠି ପକ୍ଷୀ ଧରଣେ ।
ସଜ କରିଅଛି ପାଶ ବିଚାରି ଆରମ୍ଭ ନାଶ ଏ ଡରେ ସେ ଥୟ ହୋଇ ନ ରହି କ୍ଷଣେ ।
ସମ୍ଭାଇଣ ଜଳରେ ମୀନ ।
ବୁଡ଼ି ବଳେ ତା ତରସ୍ତ ନିମିଷ ହୀନ ।୧୮।
ସଭ୍ରମ ହୋଇଣ ଜନେ ସମାନ ହେବାକୁ କର୍ଣ୍ଣେ ଲେଖି ଦେଖି ଧିକ୍କାରେ ପୋଛିଣ ଲୁକାର ।
ସେହି ଏ ଶ୍ରୁତିରେ ସମ ହୋଇନାହିଁ ତ ଉପମା ଚିତ୍ତ ବନ୍ଧନକୁ ବୋଲି ପାଶ ପ୍ରକାର ।
ସାଦର ପାଟଳୀ ପ୍ରସୂନ ।
ସହକାର ଫଳ ଅର୍ଦ୍ଧୁ ହେଲା ନାଶନ ।୧୯।
ସ୍ୱଳ୍ପ ବିବେକୀ କି ନାକ ଘୋଣାକୁ ବୋଲନ୍ତି ଲୋକ ଉଚ୍ଚ ମରୁତ ନିବାସୁ ଯୋଗ୍ୟ ଏ ଭାଷା ।
ସ୍ୱାଧୀତାପତି ବରୁଣ ବେନି ବେଣୁ ଝଳି ସ୍ୱର୍ଣ୍ଣ ଯୋଗ୍ୟ ତରୁଣୀରେ କଲେ ଉପମା ନାସା ।
ସ୍ୱର କରେ ବଚନେ ଜାତ ।
ସାଧ୍ଵୀର ସ୍ୱାଦୁ ସେ ଆସ୍ୱାଦନରୁ ସତ ।୨୦।
ସାରୀ ଆଦି ଯେତେ ଖଗ ପୋଷନ୍ତି କୃତୁକୀବର୍ଗ ପୁରେ କୀର ପିଞ୍ଜରେ ରଖନ୍ତି ପ୍ରତ୍ୟକ୍ଷ ।
ଶିକୁଳି ବ୍ୟାଜେ ଶାଙ୍କୋଳୀ ଶୁକକୁ ଦିଅନ୍ତି ଭାଳି ଅଜ୍ଞପଣେ ଦୁଇଠାକୁ ହୋଇବ ଲକ୍ଷ୍ୟ ।
ସତ୍ଵ ଅଳ୍ପ ତିଳକୁସୁମ ।
ସପ୍ତସ୍ୱର ଘୋଷ ପିକ କେହି ସେ ସମ।୨୧।
ସିମନ୍ତିନୀ ଚାରୁଓଷ୍ଠ ପୁଷ୍ପବନ୍ତ ଗୁଣେ ପୁଷ୍ଟ ସ୍ଫୁଟ ନୋହେ ଜବା ଦୃଷ୍ଟି କାଳିମା ଘେନି ।
ସଙ୍ଗ ତହିଁ ହାସ ଆସି ହୋଇଲେ କି ମିଶାମିଶି ବଧୂବର ଯଶ ସନ୍ଦେଶ ନ ଭାବେ ।
କାହା ଘେନି କେ ଶୋଭେ ।୨୨।
ସଚେତନ ନୋହେ ବିମ୍ବଓଷ୍ଠେ ହୋଇ ଅବଲମ୍ବ ତହିଁ ଦେଖି ହାସ ସେହି ଶୋଭାକୁ ଇଚ୍ଛି ।
ସ୍ୱରୂପ ବାସୁଦେବଙ୍କୁ ବହିଲା ପ୍ରାୟେ ପୌଣ୍ଡ୍ରକ ଭସ୍ମ ଯୋଗ ହେଲା ସିଦ୍ଧ ନୋହିଲା କିଛି ।
ଶ୍ରମ କରି ବହୁତ କାଳ ।
ସାରି ପାରିବ କେ ଓଷ୍ଠ ହାସ ମଞ୍ଜୁଳ ।୨୩।
ସଝଲକ ଦନ୍ତପରା ହେବା ଇଚ୍ଛା କୁନ୍ଦେ ହୀରା ସ୍ଫୁଟ ତୁଟି ଉପମା ଭାଜନ ନୁହନ୍ତି ।
ଶାମୁକା ପଦ୍ମରାଗର ମଧ୍ୟେ ଦିଶଇ ସୁନ୍ଦର ଜାତ ହୋଇ ବେନିପନ୍ତି ସୁଜ୍ୟୋତି ମୋତି ।
ସରାଗ ସରୋଜ ମଧ୍ୟେ ତ ।
ସମେ ତଣ୍ଡୁଳ ଫଳିଲା ଏ ଅଦ୍ଭୁତ ।୨୪।
ସୁପର୍ବାଣଙ୍କ ଅଶନ ଅଧର ପଲ୍ଲବ ଘେନ ଭରି ମୁଦିବାରୁ ଯେତେ ପଡ଼ି ଝଲକି ।
ସେ ନୁହଇ ନାଶ ଦ୍ରବ୍ୟ ତା ପାନେ ଅମର ଦେବପନ୍ତି ଦେଇ କଲା ତହିଁ ଧାତାଧାରୀକି ।
ସାକ୍ଷ୍ୟ ହୋଇ ସୁଧା ପଦକୁ ।
ସମ୍ମିଳନଟି ରସନା ଲଭି ସ୍ୱାଦୁକୁ ।୨୫।
ସଂସାର ନାରଙ୍ଗ ଫଳ ଖୋଳି ତା ପରି ବିମଳ ମଧୁପୂର୍ଣ୍ଣକରି ତହିଁ ଚିବୁକ ବିହି ।
ସୁକର୍ମବନ୍ତ ଦୟିତ ସ୍ପରଶେ ହେଉ ଉନ୍ନତ ଆଗୁଁ ଏ ବିଚାର ସିଦ୍ଧି କରି ତ ତହିଁ ।
ସଂକଳ୍ପନା ଓଷ୍ଠ ତଳରେ ।
ସମୃଦ୍ଧ କି ପଞ୍ଚକଳା ଶଶୀକି କରେ ।୨୬।
ସୁଗ୍ରୀବ ଦର୍ଶନେ କମ୍ବୁ ତେଜି ଜନ୍ମସ୍ଥାନ ଅମ୍ବୁ ନିଶ୍ଚେ ନୀଚମୁଖେ ତିରସ୍କାର ପାଇଲା ।
ସମତ୍ତ କପୋତ ଶ୍ରେଣୀ ଲକ୍ଷିତ ହେବାର ଜାଣି ଦଇବ ସେକାଳେ ହୁଁ ହୁଁ ବୋଲି ତର୍ଜିଲା
ସେ ଦକ ତା ଚିତ୍ତୁଁ ନ ଯାଏ ।
ସ୍ୱନେ ତାହି କହେ କଥା ପ୍ରସଙ୍ଗ ପ୍ରାୟେ ।୨୭।
ସନ୍ଧିହୀନ ଅତି ପୀନ ତୁଙ୍ଗ ବର୍ତ୍ତୁଳ କଠିନ ଉରଜ ତୁଳକୁ କଲେ ରଥାଙ୍ଗ ଶ୍ରଦ୍ଧ ।
ସେତୁକୃତ ଯେ ରସିକ ଗୁଣେ ପରମ ବିବେକ ବିଚ୍ଛେଦ ଶାପ ବିହିଲେ ଏ ଘେନି କ୍ରୋଧ ।
ସମତ୍ୱ ବାଞ୍ଚିତ ମର୍ଦ୍ଦଳ
ସ୍ୱାଧୀନତା ନ ଯୋଗାଇ ପ୍ରହାର ତଳ ।୨୮।
ସଙ୍କୋଚରେ ନାରିକେଳ ତାଳ ନୋହି କୁଚ ତୁଳ ଘୋଡ଼ି ହୋଇଲେ ବକଳ ସକଳ ଅଙ୍ଗେ ।
ସୁଜମ୍ଭୀର ମାତୁଳଙ୍ଗ ଏହି ଅତ୍ୟନ୍ତ ଆତଙ୍ଗ ଉକୁଚି ହୋଇ ଅଛନ୍ତି ଉତ୍ତୁଙ୍ଗ ଅଙ୍ଗେ ।
ସତତ ଆନ୍ଦୋଳିତ ଜାଣ ।
ସନ୍ନିଧ ଶ୍ରୀଫଳ ନାମୁଁ ବିଲ୍ୱ ଭାବିଣ ।୨୯।
ସତୀ ପାର୍ବତୀ ହେଲାକୁ ସିନା ମୋ ଆଣି ହିତକୁ କାମ ଭସ୍ମଗଲା ଏହା ଭାବି କି ଚିତ୍ତେ ।
ସଜୀବ କରଣେ ମନ ମଧ୍ୟେ ତାକେୁ ବତ୍ସେ ସ୍ଥାନ ରୂପେ ବ୍ୟାଜେ ଶମ୍ଭୁ ହୋଇ ଯୁକ୍ତ ଅମୃତେ ।
ସୁଝୀନବାସେ ସେ ଆଚ୍ଛନ୍ନ
ସଞ୍ଜୀବନୀ ମନ୍ତ୍ରେ କରିବାକୁ ପ୍ରସନ୍ନ ।୩୦।
ସରସୀ କ୍ଷୀଣ ଉଦର ପରିତ ଲାବଣ୍ୟ ନୀର ଉପସ୍ଥିତ ବେନିକୁମ୍ଭ ଘେନି ମଦନ ।
ସଖଳିତ ପଦ ହୋଇ ପଡ଼ି ବୁଲିଗଲା ସେହି କୂଳେ ଲାଗିଲେ କି ଘଟକରି ପ୍ଳବନ ।
ସେ ମର୍ଜ୍ଜନ କେଉଁଠାବରେ ।
ସଚଳିକ ଜନ ନେତ୍ର କି ଖୋଜିବାରେ ।୩୧।
ସମ୍ପୁଟ ଉରଜ ମତ କୁନ୍ଦିବା ପାଇଁକି ଯୁତ କରିଥିଲା ଭୁଜ ମଞ୍ଜୁରଜ୍ଜୁ ପାଶକୁ ।
ଶୁଣା ଉତ୍ପାତ ନୁହେଁ ତ ବଲ୍ମୀକରୁ ବିଦ୍ୟୁ ଜାତ ଚିରପ୍ରଭା ଅଧୋଗତି ଧୈର୍ଯ୍ୟଧ୍ଵଂସକୁ ।
ସରିତ ଲହରୀ ବଲ୍ଲରୀ ।
ସୁଜାଣ ଲକ୍ଷନ୍ତି ସେ ଶୋଭାକୁ କି କରି ।୩୨।
ସେ ମୋହନ ଶର ପାଞ୍ଚ କଳ୍ପନା କରିଛି ପାଞ୍ଚଶର ଏସନ ଅଙ୍ଗୁଳି ନଖ ରମଣୀ ।
ଶୁଭ୍ର ଚମ୍ପା କଳିକାରେ ଫଳ ନବମାଳିକାରେ ରକ୍ତୋତ୍ପଳ ବିପରୀତେ ଥୋଇଛି ଆଣି ।
ସୁଝଟକ ଥିବାରୁ ଭଲେ ।
ସମ୍ଭବଇ ନଖେ ଜାତ ବାଣ ବୋଇଲେ ।୩୩।
ସ୍କନ୍ଧଠାରୁ କରଯାଏ ଏମନ୍ତ ଉପମା ହୁଏ ଚିତ୍ତକୁ ପ୍ରତୀତ ନିଶ୍ଚେ ଶରଭାକାର ।
ସନ୍ନିଭ ଜମ୍ବୁନଦୀର ଯଉବନ କରୀବର କୁଚକୁମ୍ଭ ନିକଟୁ ପ୍ରସାରିଛି କର ।
ସକଳକାଳେ ସେ ପ୍ରେଷଳ ।
ସରୋଜବାସୀ ବାସିନୀ କେଡ଼େ ମଞ୍ଜୁଳ ।୩୪।
ସାର୍ବଭୌମ ଅଧିକାର ଯୁବାରେ ହେବା ବାଳାର କୁଚ ଆତପତ୍ର ମୁଦି ଥୋଇଛି ଉରେ ।
ଶୋହେ ନୀଳମଣି ରୋମାବଳୀ ଦଣ୍ଡ ଏ ଉପମା ଉତ୍ତମ ହୋଇ ଉଦିତ ହୁଏ ମନରେ ।
ସର୍ବଦା ନ ଥାଇ ଶିଶୁତ୍ୱେ ।
ସମ୍ଭାବିତ ହୁଏ ଏକେ କାଳ ଯୁଗତେ ।୩୫।
ସଞ୍ଚି ମଧୁକୋଷ ଉରେ ରତୀଶ ଭବର ଡରେ ଲୁଚିବାକୁ ନିମ୍ନ ନାଭିକୂପେ ଚଳିତା ।
ସରଘାପନ୍ତି କି ଅବା ଏମନ୍ତ ଉପମା ଦେବା ପଦ୍ମପଦେ ମାଡ଼ିଛି କି ଶୈବାଳ ଲତା ।
ସରୀସୃପ କେହି କହଇ ।
ସୁକୃତ ବିହୀନେ ସେ ସମାନ ନୁହଇ।୩୬।
ସଜାଉଥିଲେ ଆଗହୁଁ ସୁମଧ୍ୟ ରଚନା ନୋହୁ ପ୍ରଜାପତିମାନେ ଅତି ଚତ୍ୱର ପଣେ ।
ସୂତ୍ର ଡମ୍ବରୁ ଚତୁର ଅଙ୍କ କୁଶ ମୁଦ୍ରା ଶିର ହସ୍ତ ବଳିବାକୁ ମଧ୍ୟଭାଗ ନିର୍ମାଣେ ।
ସୂତ୍ରକର ହୋଇ ତ ଥିଲା ।
ସର୍ଜିବାରେ ଘୂଣାକ୍ଷର ପ୍ରାୟେ ହୋଇଲା ।୩୭।
ସିଂହ ବୋଲି କହିବାର କୁଳିଶରେ ହୋଇବାର ନିର୍ମାଣ ପ୍ରମାଣ ସରୁକଟୀ ସୁଷମା ।
ସହଇ ବହଇ ପୀନସ୍ତନ ଗିରିଭାର କ୍ଷୀଣ ହେଲେ ଏତେ ପ୍ରତ୍ୟକ୍ଷରେ ଆନ ଘେନିମା ।
ସମ୍ଭାଇବ ରେକ ଭିତରେ ।
ସଲକ୍ଷିତ ଅଣୁ ଅତିଶୟ ଭକ୍ତିରେ ।୩୮।
ସୁରେଖା ତିନି ତ୍ରିଲୋକ ମୋହିବ ବାଳୀ ବୋଲି ଲେଖାଯୁକ୍ତ ଏତେ ପାଞ୍ଚିଲେ କୁବେ ।
ଶକ୍ତି କୋଟି ବ୍ରହ୍ମାଣ୍ଡକୁ ଅତି ଯାର ମୋହିବାକୁ ନିନ୍ଦା କଥା ବୋଲି ତାକୁ ଘୋଡାଇ ଉଚ୍ଚେ ।
ସେତ ନିଶ୍ଚେ ଘନଜଘନ ।
ସଉଦର୍ଯ୍ୟ ଉଦଧିରେ ଅତି ଶୋଭନ ।୩୯।
ସୁରମ୍ୟ ତା ପୃଷ୍ଠଭାଗ ପରଭାକୃତି ସଂଯୋଗ ନିତମ୍ବ ରଥାଙ୍ଗ ଏ ତ ଆଶ୍ଚର୍ଯ୍ୟ ନୋହେ ।
ସେ ତ ଚରମ ବୋଲାଇ ବେଣୀ ନିଶାନ୍ତ ସେଠାଇଁମେରୁ ଉହାଡ଼େ କି ଚନ୍ଦ୍ରମଣ୍ଡଳ ରହେ ।
ଶ୍ରଦ୍ଧାରେ ଥୋଇଛି ଆଗତ ।
ସଲଗ୍ନ ଜାଣିବାପାଇଁ କି ମାନପତ୍ର ।୪୦।
ସ୍ପିଚଯୁଗ ତୁମ୍ବୀ ପଛେ ଯତନେ ରଖିଛି ସ୍ୱଚ୍ଛେ ସୁରସ ପ୍ରବୀଣ ବୀଣା ରଚନା ଇଚ୍ଛି ।
ସାରମାତ୍ର ନ ମିଳଇ ସେ ସମେ ଖୋଜିଲେ କାହିଁ କଣ୍ଠଗୁଣା ରୋମ ଶ୍ରେଣୀ ଦଣ୍ଡ ହିଁ ଅଛି ।
ସିଂହ କଚ୍ଛପୀ ଯା କଳ୍ପିବ ।
ସେ ବିଧାନ ତାହାର ହିଁ ସିଦ୍ଧ ହୋଇବ ।୪୧।
ସାନ୍ଦ୍ର ଊରୁଯୁଗ ଶୋଭା କେତେ ଲଭିଥାନ୍ତା ରମ୍ଭା ପ୍ରକୃତ ବିକୃତ ହୋଇଥିଲେ ଯେ ଜନ୍ୟ ।
ଶୋଧିତ ହରିତାଳରେ ପୁଲିନ ଥିଲେ ନଦୀରେ ଜାନୁ ଅନୁମାନେ ଅବା ହୁଅନ୍ତା ଧନ୍ୟ ।
ସଲକ୍ଷଣା ଏତେକ ଘେନି
ସ୍ୱକୀୟ ଏ ବେନି ଘନରସ ଜନନୀ ।୪୨।
ସୁବର୍ଣ୍ଣେ ଅତି ରୁଚିର ରସକଳା ଅଳଙ୍କାର ପୁନରାଗ ଯୁକ୍ତ ପୁନରୁକ୍ତି ସହିତ ।
ସଂସର୍ଗ ବିସର୍ଗ ମଧ୍ୟ ଶ୍ଳୋକ ନାରୀ ଅଙ୍ଗ ସିଦ୍ଧ ବର୍ଗାନ୍ତରେ ଅଣୁପଦ ନାମ ବିହିତ ।
ସେ ସଙ୍ଗରେ କହନ୍ତି ତୁଳ ।
ସରି ଏ କି ଗୁଣୁ ଘେନି ସ୍ଥଳ କମଳ ।୪୩।
ଶିଖିବା ପାଇଁ ଚତୁରୀମଣି ଗମନ ଚାତୁରୀ ଆତୁରିତ ଗତି ହୋଇ ଗଜ ମରାଳେ ।
ସୂଚିତୁଲ୍ୟ ନୋହି ମାନୀ ମାନସେ ସୁଖ ନ ଘେନି ସେ ବେନି ରାଜଧାନୀରେ ଭବନ କଲେ ।
ସଧୀର ଗମନ ଭିଆଇ ।
ସର୍ବାଂସହାକୁ ପବିତ୍ର କରିବା ପାଇଁ ।୪୪।
ସୁରଭିହୀନ ସୁରଭୀ ସୁରଭୀ କାଳେ ସୁରଭୀ ସୁରଭୀ ଅତି ସୁରଭୀ ପୂତିକି ଭଜେ ।
ସୁରଭୀ ଶିରୀଷ କୃତିବାସ ଗଉରୀ ଦୁଷ୍କୃତି ବିଦ୍ୟୁତି ଦ୍ୟୁତି ଲବକ ମାତ୍ର ବିରାଜେ ।
ସକଣ୍ଟ ସହଜେ କେତକୀ ।
ସମ୍ୟକ ରୂପେ ଉପମା କାହିଁ କାନ୍ତିକି ।୪୫।
ସପ୍ତାଧିକ ବେନିବିଂଶ ପଦରେ ଏ ଛାନ୍ଦ ଶେଷ ଶକ୍ତ୍ୟାନୁରୂପେ ଶ୍ରୀଅଙ୍ଗ ଶୋଭା କଥନ ।
ସୁଧୀଏ ଦୋଷ କରିଣ ଏ କଥା ନ ଘେନ ପୁଣ ମାନୁଷ ଲୀଳାରୁ କେଶଠାରୁ ବର୍ଣ୍ଣନ ।
ସୁମରି ଶ୍ରୀ ରଘୁନାୟକ ।
ସଂକୀର୍ତ୍ତନେ ଯାହା ନାମେ ହରେ ପାତକ ।୪୬।
ସେ ପୁଣ୍ୟଜନ ଆଶ୍ରୟ ପୁଣ୍ୟଜନ କରେ କ୍ଷୟ ବାଳୀ ସ୍ନେହୀ ବାଳିହୃଦ ଭେଦିତ ଶର ।
ସପକ୍ଷ କୁମ୍ଭସୁତର କୁମ୍ଭସୁତ ପ୍ରାଣହର କୁବଳୟ ବାମ କୁବଳୟ ସୁନ୍ଦର ।
ସୁବାହୁଘ୍ନ ସୁବାହୁଧର ।
ସେବ୍ୟ ସର୍ବଦାରେ ସେ ଉପେନ୍ଦ୍ର ଭଞ୍ଜର ।
-ରୁପକ ଶ୍ଳେଷ-
ସୁଧର୍ମା ସଭାରେ ବସି ଶୁକ ଋଷି କହିଲେ ଅମରଚୟଙ୍କୁ,
ସାଜିଛି ଏମନ୍ତ ରଥ ମନରଥ ମନୋରଥ ଜଗଜ୍ଜୟକୁ ।
ସାରଥି, ନେତ୍ର କେତେ ଗତି ହୁଅନ୍ତି ।
ସରଶନା ଘଣ୍ଟି ପ୍ରକଟି କଟୀରେ ରଣରଣ ଏକା କହନ୍ତି ।୧।
ସମାରେ ଚଞ୍ଚଳ ଅଞ୍ଚଳ ପତାକା ଚିକୁର ଚାମର ପ୍ରମାଣ,
ସଚିତ୍ର ଉରଜ କଳସ ଲଲାଟ ଲପନ ଚାନ୍ଦ ଦରପଣ ।
ସହିତ, ଯହିଁ ଜଘନ ଭଦ୍ରାସନ ।
ସତିଳ ଗଣ୍ଡମଣ୍ଡଳରେ ରୁଚିର ମକରୀ ମକରକେତନ ।୨।
ସରୋଜାସନ ସ୍ୟନ୍ଦନ ଶୋଭା ବହେ ଚଳିବାରୁ ହଂସ ଯୋଗରୁ,
ସର୍ପଶନ ତୁଲ୍ୟ ଉନ୍ନତ ନାସିକା ଘେନି ଯେ, ବିଷ୍ଣୁ ରଥ ଚାରୁ ।
ସୂର୍ଯ୍ୟର, ରଥ ଛବି ଏତେ ବହିଛି ।
ସୁହିମକର ବିମ୍ବପରା ନିତମ୍ବ ଏକଚକ୍ର ଯୋଗ ହୋଇଛି ।୩।
ସିନ୍ଦୂରୀଶାଢ଼ୀ ବ୍ୟାଘ୍ରଚର୍ମ ପିଧାନେ ଭୂରୁ ପରଶୁ ମନୋହର,
ସିଦ୍ଧସେନା ତାତ ରତାକୃତି ମତ ସମ୍ଭୂତ ହୋଇଛି ତହିଁର ।
ଶୋଭା ତ, ଅଳଙ୍କାରେ ଯେଣୁ ହୋଇଛି ।
ସୁମନାରେ ଯେଣୁ ମଣ୍ଡିତ କୁବେର ରଥ ଗୁଣ ଅଛି ।୪।
ସାରସତ୍ତ୍ଵମାନ ଉପମା ସଂସାରୁ ହରି ସିନା କଳ୍ପନା ତାର,
ସର୍ବାଙ୍ଗ ସୁନ୍ଦରୀ ସର୍ବରଥ ଶିରୀ ଏଣୁ କରିଛି ଅଙ୍ଗୀକାର ।
ସୁର ଯେ, ପ୍ରଶଂସା କଲେ ଏହା ଶୁଣି ।
ସୁନ୍ଦର ସଂସାରେ ଯେହୁ ଚକ୍ରବର୍ତ୍ତୀ ତାହାକୁ ଯେ ଯୋଗ୍ୟ ତରୁଣୀ ।୫।
-ଧ୍ୱନ୍ୟର୍ଥ-
ଶ୍ୱଶୁର ଯାର ଗିରିରାଜ ସେ ମାତ୍ର ଶ୍ରବଣରେ ଶଙ୍କା ଲଭିଲେ,
ସୀମନ୍ତେ ତମ ପରିପନ୍ଥୀ କମ୍ପିତ ତମରୁ ଡମ୍ବରୁ ଥରିଲେ ।
ଶଚୀ ଯେ, କାନ୍ତମୁଖୁଁ ଏହା ଶୁଣିଣ ।
ସୁକଲ୍ୟାଣ କଲେ ସଭୟ ସନ୍ତୋଷେ ବେଗେ ହେଉ ବିଭା ବୋଲିଣ ।୬।
-ଅଦ୍ଭୁତ ରୂପକ-
ସର୍ବପୁରେ ଯାଇଁ ପର୍ବତ କହିଲେ ମହୀଜାତ ହେମମଞ୍ଜରୀ,
ସୁଗନ୍ଧବତୀ ସ୍ୱଇଚ୍ଛାରେ ଚଳିତ ପତ୍ରବଳୀରେ କି ମାଧୁରୀ ।
ସମ୍ପୂଲ ଯହିଁ ପୁଣି ଫୁଲ ଏତେକ ।
ସରୋରୁହ ଚମ୍ପା କୁମୁଦ ପାଟଳୀ ନିଆଳୀ ଶିରୀଷ ଅଶୋକ ।୭।
ସଫଳ ଆମ୍ବ ଡାଳିମ୍ବ ବିମ୍ବ ଦ୍ରାକ୍ଷା ତୁମ୍ବୀ ନାରଙ୍ଗ ମାତୁଳଙ୍ଗ,
ସାରଙ୍ଗ ଖଞ୍ଜନ ଚକୋର ମୟୂର ଶୁକ କପୋତ ହଂସ ସଙ୍ଗ ।
ସ୍ୱରୂପେ, ମହା ଅଦ୍ଭୁତ କଥା ଏହି ।
ସପତ ଜାତି ଫଳ ଫୁଲ ବିହଙ୍ଗ ଲତାରେ ଥିବା ଶୁଣା ନାହିଁ ।୮।
ସମ୍ଭୂତ ପାତ୍ର ଯେ ସେ ସର୍ବଶୋଭାର ସବୁ ସମ୍ଭାବ୍ୟ ସୁମୁଖୀରେ,
ସତୃଷ୍ଣ ଶୁଣି ଗୁପ୍ତପାଦ ନିକର ଇଚ୍ଛା ଦେଖିବାକି ଆଖିରେ ।
ସ୍ୱଶତ୍ରୁ, ନିନ୍ଦା ଅଛି ଛିଦ୍ର ପାଇଲେ ।
ସାରସିକ ନାସିକା ପରଶଂସାକୁ ପୁନଃ ପୁନଃ ସେ ପଚାରିଲେ ।୯।
ସଭାରେ ପୂର୍ବ ଦେବଙ୍କର ବାସିଣ ଭାଷିଲେ ବାକ୍ୟ ବୁଦ୍ଧିବଳେ,
ସାବିତ୍ରୀ ଧବ ନାରୀ ରତ୍ନପଦକୁ ପ୍ରସିଦ୍ଧ କଲା ଏତେକାଳେ ।
ସଯତ୍ନେ, ନାନା ରତ୍ନମାନ ବସାଇ ।
ସଜୀବ କଲା ସୁବର୍ଣ୍ଣ ପିତୁଳାକୁ ଯୋଗୀକୁଳ ଦେଲା ଭସାଇ ।୧୦।
ସୁରେନ୍ଦ୍ର ମଣିରେ ରମଣୀ ଅଳକା ଚିକୁର ତୋଳା ରମଣୀୟ,
ସୁରମଣିରେ ନଖର ମରକତେ ସୁଲୋମବଲ୍ଲୀ ଚିଲ୍ଲୀଦ୍ୱୟ ।
ସମ୍ପୂର୍ଣ୍ଣ, ଅଧର ପ୍ରବାଳେ ନିର୍ମାଣି ।
ସୁଧାହାସ ମୋତିଦନ୍ତ ହୀରାପନ୍ତି ପଦ୍ମରାଗରେ ପାଦପାଣି ।୧୧।
ସୃଦୁଢ଼କରି କଠିନ ଗୁଣ ମାତ୍ର ଠୁଳ କଲା ଆଣି ଉରଜେ,
ସେ ମଣିଶ୍ରେଣୀ ଯଉବନ ଶାଣରେ ଶାଣି ହୋଇ ପୁଣି ବିରାଜେ ।
ସେ ଯେଉଁ, ଛଟକ ଝଟକ ତାହାର ।
ସଦନ ନେତ୍ର ମନ ତହିଁ କରଇ ସେ କରେ ଏଥିରେ ମନ୍ଦିର ।୧୨।
ସନ୍ଧ୍ୟାବଳକୁଳ ଶୁଣି ସୁବିଚାର ଏ ଭାବରେ କଲେ ମାନସେ,
ସହଜେ ଦ୍ୱନ୍ଦ୍ୱ ରକ୍ଷ ଭକ୍ଷ ପରାୟେ ଖ୍ୟାତ ହେବାକୁ ଆମ୍ଭ ବଂଶେ ।
ସେ କନ୍ୟା, ରସାଭବ କଲା ବିଧାତା ।
ସାଧି ନ ପାରି ବଳେ ତାକୁ ଗୁହାରି କରୁଥିବେ ଯେଣୁ ଦେବତା ।୧୩।
ସତ୍ୟବତୀ ସୁତ ପଦବୀ ଚରିତ ଏରୂପେ ଉତ୍ପ୍ରେକ୍ଷାକୁ ଦେଇ,
ସମ୍ଭୂତ ଅଦ୍ଭୁତ ସୁନ୍ଦରୀ ଓ ଭୂତ ଭବିଷ୍ୟ ବର୍ତ୍ତମାନେ ନାହିଁ ।
ସମୁଦ୍ର, ମେଖଳା ମସ୍ତକ ମଣ୍ଡିନୀ ।
ସବିତା ଶଶାଙ୍କ ପରେ ପଦ୍ମ କରିବାର ଏମାନ ଚିତ୍ର ଘେନି ।୧୪।
ସଂଖ୍ୟାରେ ରଖିଲେ ବିସୋର ହେବାକୁ ଚତୁର ଚତୁରଲପନ,
ସଦା କରରେ ରହିବେ ନାରାୟଣ କରୁଥିବାକୁ ବିଲୋକନ ।
ସେନେହ, ନିଧି ନାମ ଦେଲେ କୁବେର ।
ସଲୋଭ ନୋହିବ ସଂସାରେ କେ ଆଉ ଦୁର୍ଲଭ ଶୋଭାକୁ ତାହାର ।୧୫।
ସୁମନୁ ସୁମନ ପକ୍ଷୀଠାରୁ ପକ୍ଷୀ ଫଳରୁ ଫଳା କରେ ଜାତ,
ସମାପ୍ତ ନୋହିବ କଥନେ ଏମନ୍ତ ଅଙ୍ଗେ ଅଛି ବହୁ ଅଦ୍ଭୁତ ।
ସମକୁ, ତାହାକୁ ସେହି ଅଛି ଏକା ।
ସୁଖଦାୟକ ନୟନକୁ ହୁଅଇ ବନ୍ଦୀ କରିବାକୁ ନାୟିକା ।୧୬।
ସ୍ୱତଃ ଶିକ୍ଷା କରି ଏହି କବିତ୍ଵକୁ ଦେଶେ ଦେଶେ କଲେ ବିଖ୍ୟାତ ।
ସ୍ରବି ଚନ୍ଦ୍ରମଣି ଚନ୍ଦ୍ର ଦେଖି ଯେହ୍ନେ ତେହ୍ନେ ସର୍ବ ନୃପ ଦ୍ରବିତ ।
ସାରିଲେ, ଚନ୍ଦନ କର୍ପୂର ଭଣ୍ଡାରୁ ।
ସାରିଲେ ଉଶୀର ବାଟି ପଦ୍ମଦଳ ନାଳ ବିନାଶ ସରୋବରୁ ।୧୭।
ସାରିକା ଶୁକମାନଙ୍କ ବନ୍ଦୀ ମୋକ୍ଷ ଯୋଗ ପଡ଼ିଲା ଯେ କାଳରେ,
ଶମ୍ବର ପରକୁ ଅସର ନୋହିଲା ଶର ପ୍ରହାର କରିବାରେ ।
ସ୍ଫୁରିଲା, ଉଚ୍ଚେ ଶିବ ଶିବ ବଚନ ।
ସନ୍ତତେ ଗୁରୁମୁଖରୁ ଶିଷ୍ୟମାନେ ପାଠ ଘୋଷୁଥାନ୍ତି ଯେସନ ।୧୮।
-ରୂପକ-
ସରୋଜିନୀକି ସରୋଜିନୀ କରି ସେ କଳ୍ପନା କଲେ ମନେ ମନେ,
ସୁବାହୁ ମୃଣାଳ ଉଦର ପଳାଶ କାନ୍ତି କେଶର ବିଦ୍ୟମାନେ ।
ସୁମୁଖ, ଫୁଲ୍ଲାରବିନ୍ଦ ମଧୁ ପୂର୍ଣ୍ଣ ।
ସୌରଭ ପର ଚିରକୁ ମଧୁକରପନ୍ତି କୁଟିଳ ଚାରୁସ୍ତନ ।୧୯।
ସୁଧାପୁର ପଦ୍ମାକରେ ସ୍ଥିତି ନବ ବୟସ ବସନ୍ତେ ମାଧୁରୀ,
ସେହି ଅଉଷଧି ବିରହ ବ୍ୟାଧିକି ବହିଅଛି ବିଧି ବିଚାରି ।
ସଂଚର, ଆମ୍ଭର କେହି ହେବ ନାଶ ।
ସେଚନ ନୋହିଲେ ତହିଁ ପ୍ରେମରସ ନ ଲଭିଲେ ତାର ସ୍ପରଶ ।୨୦।
ସରଗସୁତ ପରାୟେ ଯୁବାବ୍ରାତେ କାମ କପିଳ କୋପାନଳେ,
ସଂଦଗ୍ଧ ନିଶି ଦିବସରେ ହୋଇଲେ ଆପେ ଅର୍ଜିତ କର୍ମବଳେ ।
ସାଧ୍ୟ ସେ, ନୋହିବ ଆନ ଉପାୟରେ ।
ଶାନ୍ତି ଭଜିବେ ସୁପୁତ୍ର ଭଗୀରଥ ତର୍ପଣ କୃତ ଗଙ୍ଗାନୀରେ ।୨୧।
ଶୁଣିବାରେ ଯହିଁ ଏମନ୍ତ ଦେଖିଲେ କି ହୁଅନ୍ତେ ତାହା ନ ଜାଣି,
ସୁଲକ୍ଷଣୀ ବକ୍ରେକ୍ଷଣୀ ଶୋଭା କୀର୍ତ୍ତି ମଣ୍ଡିଲା ସମସ୍ତ ଧରଣୀ ।
ସେ କନ୍ୟା, ଦ୍ୱାରକା ସ୍ଥିତ ହୋଇ ଯୁବା ।
ସୌନନ୍ଦକ ଚିତ୍ତେ ଚିନ୍ତାର୍ଥୀ ଏଥକୁ କାହାକୁ ପ୍ରଦାନ କରିବା ।୨୨।
-ଶ୍ଲେଷ-
ସମାନ ପୌଲସ୍ତ୍ୟ ରାଜା ଦୁର୍ଯ୍ୟୋଧନ ମନ୍ଦୋଦରୀରେ ସ୍ନେହବନ୍ତ,
ସାନନ୍ଦ ଶୁକ ଉକ୍ତିକି ଶୁଣିବାରେ ପୁଷ୍ପକେ ଅତ୍ୟନ୍ତ ରାଜିତ ।
ସେବିତ, ସୁମନବୃନ୍ଦ ଯେ ନିରତ ।
ସୁନାସୀର ବିନୟୀ ଯା ଦ୍ୱାରସ୍ଥ ପାଶେ ଭେଟ ହୋଇବାର ନିମିତ୍ତ ।୨୩।
ସନ୍ନିଧେ ସେ ନୀଳକଣ୍ଠ କଉତୁକେ ନଚାଇ କବିଠାରେ ପ୍ରୀତି,
ସମଦେ ଜନକସୁତା ଧରଷଣେ ଅତି ଲୁବଧ ଯାର ମତି ।
ସ୍ୱଭାବେ, ଶ୍ରୁତିକି ସୁଦୁର୍ଲଭ କୃତ ।
ସୁତ ଅଗମ୍ୟ ହୋଇ ଯାର ସ୍ଥାନ ହିଁ ସପତ ଦ୍ୱୀପେ ନାହିଁ ସତ ।୨୪।
ସପତ୍ନୀ ବୀର କୀରଟି ଶ୍ରୀରାମର ଧାମ ଦୁର୍ଲଭ ମାନୁଷରେ,
ସେନା ଯାର ଭୀଷ୍ମ ସୁର ଦର୍ପହର କାମରୂପ ଖ୍ୟାତି ସଂସାରେ !
ସେ ଏକା, କନ୍ୟା ସମାନେ ଅଛି ବର ।
ସମ୍ମତ କଲେ ମାନସ ହଳଧର କେବଳ ଏହି ସୁବିଚାର ।୨୫।
ସ୍ୱର୍ଣ୍ଣପକ୍ଷଧ୍ୱଜ ଅନ୍ତର୍ଯ୍ୟାମୀ ହରି ହଳୀ ହୃଦୟକୁ ଜାଣିଲେ,
ସମୁଦ୍ବେଗ ଯାଇ କରିବା ଆଶାରେ ଦେବେ ଦେଶେ ଦୂତ ପେଷିଲେ
ସଂଗ୍ରାମ, କରାଇ ଗୋଶୃଙ୍ଗ ସଙ୍ଗତେ ।
ସବ୍ୟସାଚୀ କି ଯଶ ଦେଇ ସେ କନ୍ୟା ପ୍ରାପତ କରିବା ନିମିତ୍ତେ ।୨୬।
ସପ୍ତବିଂଶ ପଦେ ଛାନ୍ଦ ଶେଷ କରି ଉପଇନ୍ଦ୍ର ଭଞ୍ଜ ନୃପତି,
ସୁଚିତ୍ତେ ଭାବିତ ରାମ ରାମ ରାମ ଅନନ୍ତ ଭୂଷଣ ସତ୍କୀର୍ତ୍ତି ।
ସହସ୍ର, କର ଦର୍ପହର ଦୀପିତ ।
ସମ୍ପଦ ଦାୟକ ଅତି ଜନକର ନେତ୍ର କମଳ ଛବିଜିତ ।୨୭।
ସାମଗ୍ରୀ କରିଣ ଯାଗକୁ ରାମ ଜଗନ୍ନିବାସ ।
ସମ୍ଭାରେ ରୈବତ ପର୍ବତେ ଯାଇଁ ହେଲେ ପ୍ରବେଶ ।୧।
ସମଦ୍ଭୁତ ଲୋକେ ଆନନ୍ଦ ଗିରି ଶୋଭାକୁ ଚାହିଁ ।
ସରିବାର ନୁହେ କଥନେ କିଛି କହିବି ନାହିଁ ।୨।
ସତ ଅବନୀବନିତାର ସ୍ତନ ଶୋଭା ପାଉଛି ।
ସୁତୁଙ୍ଗ କଠିନ ଦୁର୍ଲଭ ତିନିଗୁଣ ବହିଛି ।୩।
ସନ୍ତତ ସନ୍ତତି ମର୍କତମଣି ପ୍ରକାଶେ ଶୋଭା ।
ସପ୍ତହୟ ହୟ କୋମଳ ଦୁର୍ବା ବିଚାରି ଲୋଭା ।୪।
ଶ୍ରମକୁ ହରନ୍ତି ବିଶ୍ରାମ କରି ଲବମାତର ।
ସୁରସୁତ ସେହିଠାବରେ କରେ ମାତ୍ର ପ୍ରହାର ।୫।
ସୁଦୀପ୍ତି ହୀରାର ବାହୁଡ଼େ ବାଜି ବ୍ରହ୍ମାଣ୍ଡ ଭାଣ୍ଡ ।
ସୁରଭି ବତ୍ସା କ୍ଷୀର ଧାର ମଣି ବିସ୍ତାରେ ତୁଣ୍ଡ ।୬।
ସ୍ୱଚ୍ଛେ କେଉଁ ଶୃଙ୍ଗେ ପ୍ରକାଶମାନ ମାଣିକ୍ୟ ଜ୍ୟୋତି ।
ଶୁଣ୍ଢ ଉପରକୁ ତୋଳିଛି କି ସେ ଲୋହିତ ଦନ୍ତୀ ।୭।
ସ୍ମରଶାସ୍ତ୍ର ହିଁ ମୂର୍ତ୍ତିମନ୍ତ ମଣି ଗହ୍ୱରେ ତହିଁ ।
ଶୂନ୍ୟ ବିବେକ ଶବରୀକି ବିପରୀତ କରାଇ ।୮।
ଶବର ଶବରୀମାନେ ଯେ ବିଳସନ୍ତି ସାନୁରେ ।
ସୁଧାକର ଅତି ସମୀପେ ରହେ ଦୀପ ଭାବରେ ।୯।
ଶାବକେ ତାଙ୍କର ରାତ୍ରିରେ ଖେଳା କଉତୁକରେ ।
ଶଶାଙ୍କ ଅଙ୍କ ହରିଣକୁ ଆଉଁସନ୍ତି ସ୍ୱକରେ ।୧୦।
ସିଂହ ବିଦାରଣ ବାରଣ ମୋତି ପତନ ତହିଁ ।
ସାଉଁଟିଲା ପକ୍ୱ ବଦରୀ ସଙ୍ଗେ ବିକନ୍ତି ନେଇ ।୧୧।
ସଂଗ୍ରାମରେ କରି କରୀର ଦନ୍ତଚୂର୍ଣ୍ଣ ପତନ ।
ସଉଧେ ବିଭୂତି ଭ୍ରମରେ ତା ହୁଅନ୍ତି ଲେପନ ।୧୨।
ସମତ୍ତ ସମସ୍ତ କାଳରେ ଶିଖା ତମାଳ ଚାହିଁ ।
ସ୍ରବିଲେ ଚକୋର ନୟନ ଚକ୍ର ବିଚ୍ଛେଦ ହୋଇ ।୧୩।
ସ୍ଫଟିକ ଶିଳାରେ ତରୁସ୍ଥ କପି ବିମ୍ବ ଅନାଇ ।
ଶ୍ୱାପଦେ ଅଶନ ଲୋଭରେ ମାଡ଼ି ବସନ୍ତି ଡେଇଁ ।୧୪।
ସ୍ୱଚ୍ଛେ ପାତ ହୋଇ ପ୍ରପାତୁ ବହେ ନିର୍ଝରମାନ ।
ସ୍ୱର୍ଗଙ୍ଗା ତେଜି ଦେବତାଏ ଆସି କରନ୍ତି ସ୍ନାନ ।୧୫।
ସେ ଜଳ ଆଦର ଛଡ଼ାଇଅଛି ଦର୍ପଣୁ ସତ ।
ସ୍ୱାଦେ ହାରି ମିତ୍ର ହୋଇଛି ଯାହା ସଙ୍ଗେ ଅମୃତ ।୧୬।
ସୁଧା ଭାବୁ ଶୀତ ଗୁଣରେ ସବୁ ପ୍ରକାରେ ହାରି ।
ସୁବୁଦ୍ଧି ପଣରେ କୁମୁଦ ସଙ୍ଗେ ବନ୍ଧୁତା କରି ।୧୭।
ସାରସ ଘେନି ବିହରନ୍ତି ବ୍ରହ୍ମା ସଦନ ହଂସେ ।
ସଂକଳ୍ପନା ନ କରନ୍ତି ସେ ମାନସକୁ ମାନସେ ।୧୮।
ସେ ରୋଧେ ଅମ୍ବୁଜ କୁଟୀର ଦେଖି ତ୍ରିଦଶ ମୁନି ।
ସମନ୍ତଭଦ୍ର ଏ ସମାନେ ସ୍ୱର୍ଗେ ନ ଥିବ ଘେନି ।୧୯।
ସେ ବହୁ ଉତ୍ପତ୍ତି ହୋଇଛି ଜାଣ ଇନ୍ଦ୍ର ଆରାମ ।
ସମନ୍ତଭଦ୍ର ଏଣୁ ଦେଲେ ତାକୁ ନନ୍ଦନ ନାମ ।୨୦।
ସ୍ମରହର ସୁଖ ଆରାମ ଶୋଭନକୁ ସେ ବନ ।
ସୁମନ ସମ୍ପଦେ କରିଛି ହାସକୁ ଅବିଚ୍ଛିନ୍ନ ।୨୧।
ସୁଯମକ ଶ୍ଲେଷ ଆଶ୍ଲେଷ କରି କହିବି କିଛି ।
ସଘନ ନାନାବୃକ୍ଷ ପକ୍ଷୀ ପଶୁରେ ଯେ ହୋଇଛି ।୨୨।
-ଆଦ୍ୟ ଯମକ-
ସୁରଭୀ ସୁରଭୀ ଆଶ୍ରିତ ଯହିଁ ଲବଙ୍ଗଲତା ।
ସୁନାରୀ ସୁନାରୀ ପରାୟେ ଧବ ଅଗ୍ରତେ ସ୍ଥିତା ।୨୩।
ସରଳ ସରଳ ହୃଦୟ ତହୁଁ ନିର୍ଯ୍ୟାସ ଜାତ ।
ସ୍ୟନ୍ଦନ ସ୍ୟନ୍ଦନ ପରାୟେ ରଥାରଙ୍ଗରେ ଶୋଭିତ ।୨୪।
ସକଳ କୋକିଳ ସଙ୍କୁଳ କରି ଶାଖା ମଣ୍ଡନ ।
ସକଳ ରୂପରେ କରନ୍ତି କାମୀ ଧୈର୍ଯ୍ୟ ଖଣ୍ଡନ ।୨୫।
-ମଧ୍ୟ ଯମକ-
ସଫଳ ରସାଳ ରସାଳ-ତରୁ ବକୁଳବନ୍ତ ।
ସକ୍ରୀଡ଼ିତ ଚାହିଁ ବିଡ଼ାଳେ ବି ଡାଳେ ଆରୋହିତ ।୨୬।
ସପ୍ତଳା ସୁବାସ ସୁବାସ ମଲ୍ଲୀ ସେହି ପ୍ରକାର ।
ଶ୍ୱସନ ହରି ତା ହରିତାମ୍ବର କରେ ପ୍ରଚାର ।୨୭।
-ମହା ଯମକ-
ସୁରୁଚି କେଶର କେଶର କେଶରତରୁ ତହିଁ ।
ସଞ୍ଚରି ପରାଗ ପରାଗପରା ଗଗନେ ଶୋହି ।୨୮।
ସତୁଷ୍ଟ ମଧୁର ମଧୁର ମଧୁର ବଶେ ଆଳି ।
ସାଦରେ ଫୁଲ ଫୁଲ ଫୁଲଚୁମ୍ବୀ ଚୁମ୍ବନ୍ତି ମିଳି ।୨୯।
-ପ୍ରାନ୍ତ ଯମକ-
ସୁବହ କୁସୁମ ମଣ୍ଡିତ ମହୀ ତରୁଣୀ କରେ ।
ସୌଗନ୍ଧ ନ ଥିଲେ ଚିତ୍ତକୁ ଲୋଭିତ ଋଣୀ କରେ ।୩୦।
ସବୃତ ଗୁଳ୍ମରେ ମରିଚ ନାଗବଲ୍ଲୀ ଚମରୀ ।
ଶୋଇ ତହିଁ ତଳେ ରୋମନ୍ଥ କରୁଛନ୍ତି ଚମରୀ ।୩୧।
ସଡ଼ପ ଲାଙ୍ଗଳୀ ପାଦପ ଶିଖେ ରଚି ସ୍ୱଗୃହ ।
ଶ୍ରମୀ ହୋଇଛନ୍ତି ଅର୍ଭକ ପାଳନାରେ ସୁଗୃହ ।୩୨।
ସୁଗନ୍ଧିତ ହୋଇ ନିର୍ଯ୍ୟାସ ଜାତ କଉଶିକର ।
ସଦନ ହୋଇଛି ମିତ୍ରତା ହୋଇ କଉଶିକର ।୩୩।
ସଲଗ୍ନରେ ଛନ୍ତି ହଇମବତୀ ହଇମବତୀ ।
ସ୍ଫୁଟ ଯା କଳି ମୁଚକୁନ୍ଦ କୁନ୍ଦ ସୁଜାତି ଜାତି ।୩୪।
-ଅଦ୍ୟ ପ୍ରାନ୍ତ ଯମକ-
ସୁମନସରେ ମହୋଜ୍ଜ୍ୱଳ ଯେ ଅଶୋକ ବିଟପୀ ।
ସୁମନଶରେ ଶୋକବତୀ ଦେଖି ହେବେ ବିଟପୀ ।୩୫।
ସୁମନବାଳୀରେ ନ ଦିଶେ ପୂର୍ଣ୍ଣ ଫୁଟି ସୁମନା ।
ସୁମନାବାଳୀ ଯା ସୁଗନ୍ଧ ଲାଗି ହେବ ସୁମନା ।୩୬।
-ସର୍ବ ଯମକ-
ସନ୍ତାନ ପାଇଁ ବିହରନ୍ତି ଯହିଁ ଖଞ୍ଜନ ଚକ୍ର ।
ସନ୍ତାନ ପାଇଁ ବିହରନ୍ତି ଯହିଁ ଖଞ୍ଜନ ଚକ୍ର ।୩୭।
ସୁକାନ୍ତି ମାଧବୀ ମୋହନ କରେ ମଧୁସୂଦନ ।
ସୁକାନ୍ତି ମାଧବୀ ମୋହନ କରେ ମଧୁସୂଦନ ।୩୮।
ସାରସ କଦମ୍ବ ଯୋଗରେ ଯହିଁ ଶୋଭା ଅନନ୍ତ ।
ସାରସ କଦମ୍ବ ଯୋଗରେ ଯହିଁ ଶୋଭା ଅନନ୍ତ ।୩୯।
-ସଭାଙ୍ଗ ଶ୍ଲେଷ-
ସୁଦଶନକ୍ଷଣି ପୁରୁଷେ ହୁଏ ସ୍ତିରୀ ପ୍ରତୀତ ।
ସିନ୍ଦୂର ତିଳକ ଶୋଭାରେ ମୋହେ ପ୍ରଥମୁଁ ମତ ।୪୦।
ସୁବାସଫୁଲ ମଲ୍ଲୀକଢ଼ି ପତ୍ରାବଳୀରେ ଶୋଭା ।
ସୁମନ ରସଦା କନକ ସାରରୁଚି ଦୁର୍ଲଭା ।୪୧।
ସମ୍ୟକ ଗୁଚ୍ଛରେ କାଳରେ ପୁଷ୍ପବତୀ ହୁଅଇ ।
ସହଚରୀ ସଙ୍ଗ କି ଶୋଭା ରମ୍ଭା ଶରଣ ଯହିଁ ।୪୨।
ସପ୍ରତୀତ ହୁଏ ନାରୀକି ସେ ପୁରୁଷ ପ୍ରକାର ।
ଶୁକର ସୁସ୍ୱର ସହିତ ଗୁଚ୍ଛେ ସୁମନୋହର ।୪୩।
ସୁପ୍ରତୀତ ପୁଣି ସ୍ୱଭାରେ ଅଷ୍ଟପାଦ ଭୂଷଣ ।
ସୁନାରୀ ଗଣିକାଗଣର ସେହି ସୁଖ କାରଣ ।୪୪।
ସୁବଇଷ୍ଣବକୁ ନୈମିଷାରଣ୍ୟ ପରାୟେ ଦିଶି ।
ସାନ୍ଧ୍ରମୁନିରେ ଭରଦ୍ୱାଜ ଶୁକ ଯହିଁ ବିଳସି ।୪୫।
ସମର ହୋଇଛି ଯୋଦ୍ଧାଏ ଦେଖି ଚିତ୍ତେ ଭାବନ୍ତି ।
ସତ୍ତ୍ୱର ଗମନାଗମନ ବାଜୀବଂଶେ କରନ୍ତି ।୪୬।
ସମ୍ମୁଖ ସମ୍ମୁଖେ ଖଡ଼ଗ ଭଲ୍ଲ ପ୍ରକାଶମାନ ।
ସହସ୍ର ସଂଖ୍ୟା ଧନୁ ଦୀପ୍ତ ଶରାଳୀରେ ଶୋଭନ ।୪୭।
ସରିବ ତ ନାହିଁ ବର୍ଣ୍ଣନା କରୁଥିଲେ ସେ ଗିରି ।
ସୁକୁଟୁମ୍ବ ଘେନି ରହିଲେ କରି ଯାଦବେ ପୂରି ।୪୮।
ଶୁଣି ବାଦ୍ୟନାଦ ହିଂସ୍ରକ ଜୀବ ପଳାଇ ବେଗେ
ସଡ଼ୀନ ଇଡ଼ଡ଼ୀନ ପଡ଼ିଣ ଗତି କଲେ ବିହଙ୍ଗେ ।୪୯।
ସମସ୍ତ ମନ ଦୋଷ କଲା ଥିଲା ଶବରେ ତହିଁ ।
ସ୍ୱଦିଗ ପୋଷଣ ବିଚାରି ଦିବ୍ୟ ହାଟ ବସାଇ ।୫୦।
ସନ୍ନ୍ୟାସୀଏ ନେଲେ ଶାର୍ଦ୍ଦୂଳ ମୃଗ ଉତ୍ତମ କୃତ୍ତି ।
ସାର କୃଷ୍ଣସାର ଚଉଁରୀ କିଣି ନାରୀ ନୃପତି ।୫୧।
ସୁକର୍ମୀ ରାଉତେ ଘେନିଲେ ଗଣ୍ଡାପାତ୍ରୀ ଆଡ଼ିଣୀ ।
ସାମଜନିଦନ୍ତ ନିକର ନେଲେ ବର୍ଦ୍ଧକୀ କିଣି ।୫୨।
ସାରଙ୍ଗ ନାଭିକି ବଣିକେ ଲୋଭୀ ହୋଇ କିଣିଲେ ।
ସଞ୍ଚୟ ତନ୍ତୁବାୟଚୟ କୋଷା ନିକର କଲେ ।୫୩।
ସଂଗ୍ରହ କଲେ ପୁତ୍ରସ୍ନେହୀ ତହିଁ ବ୍ୟାଘ୍ର କରଜ ।
ସଲମ୍ପଟ ହୋଇ କିଣିଲେ ପକ୍ଷପତ୍ତି ସମାଜ ।୫୪।
ସୁଉତ୍ତମ ଜନେ କିଣିଲେ ସୁଖେ ଶିଖୀ ବରହ ।
ସ୍ନେହୀ ହୋଇ ନେଲେ ନୃପତ୍ତି ଶ୍ୱେତଚାମର ବ୍ୟୁହ ।୫୫।
ଶସ୍ତା ଅତିଶୟ ହୋଇଲା ଭାବି ହରଷ ମନ ।
ସୁଖେ ତାଙ୍କ ସଙ୍ଗେ ସଞ୍ଚିଲେ ବୈଦ୍ୟେ ପୁସ୍ତକ ଧନ ।୫୬।
ଶିଖି ଋର୍ଷି ପ୍ରାତଃ ସ୍ମରଣୁ ରାମ ରାଘବ ଭଣି ।
ଶୁକ ଶାରୀ ବୃକ୍ଷେ ବିହରେ ଜନେ ଚଳିତ ଶୁଣି ।୫୭।
ସାତ୍ୱକୀ କାମ ଶାମ୍ବ ଗତ ଚାରିବୀରଙ୍କୁ ବେଗେ ।
ସଉନନ୍ଦୀ ନୃପବରଣ ପୋଷି ଚତୁର ଦିଗେ ।୫୮।
ସୁମନ ପୁଷ୍କରେ ସକଳ ଲୋକ ଆନନ୍ଦକର ।
ସେ ବିଷ୍ଣୁଚରଣେ ଶରଣ ଉପଇନ୍ଦ୍ର ଭଞ୍ଜର ।୫୯।
ସିନ୍ଧୁ ଭଇରବ ଗଣେଶ ଗଙ୍ଗା ବରୁଣ ଚନ୍ଦ୍ର ।
ସନତ୍କୁମାର ପୃଥ୍ୱୀ ଘେନି ନବ ଅର୍ଥ ଏ ପଦ ।୬୦।
ସଭଙ୍ଗ ଶ୍ଲେଷରେ ବିଚାର କରି ଚିତ୍ତେ କୋବିଦ ।
ଷାଠିଏକ ପଦେ ଅବିଘ୍ନେ ପୂର୍ଣ୍ଣ ହେଲା ଏ ଛାନ୍ଦ ।୬୧।
ସନ୍ଥେ ସୁଚିତ୍ତେ ଶୁଣ ଏ ରସ, ପାଇଣ ହରି ଯାଗ ସନ୍ଦେଶ,
ପ୍ରୟାଣ କଲେ ଏତେ ନରେଶ, ତେଜିଣ ଦେଶ ହେ ।
ସୌରାଷ୍ଟ୍ର ନଟ ଚୋଡ଼ଙ୍ଗ ଭୋଟ, ଅଙ୍ଗ କଳିଙ୍ଗ ବଙ୍ଗ ମହର୍ଟ୍ଟ,
ଦ୍ରାବିଡ଼ ଗୌଡ଼ ମଘ କର୍ଣ୍ଣାଟ, ମତ୍ସ ଲୋମଶ ଯେ ।
ସେ ଯେ ବିଦେହ ବୈଦର୍ଭ ବାହ୍ଲୀକ ଯେ । ସୁନିଷଧ ମଗଧ କାନ୍ୟକୁବ୍ଜ ଯେ ।
ସିନ୍ଧୁ ଉତ୍କଳା ଚୋଳ କୁନ୍ତଳ, କେରଳ କୁଞ୍ଜଗଳ ନେପାଳ,
ମାଳବ ଗୁଜରାଟ କୋଶଳ, ମଲ୍ଲବାରକ ଯେ ।୧।
ସୈନ୍ୟ, ପାଦେକ ରେଣୁ ଉଡ଼ାଇ, ସୂର୍ଯ୍ୟଙ୍କୁ ଦେଲେ ଏଣୁ ଘୋଡ଼ାଇ,
ରାଜାଆଗେ ଏ ତେଜ ବଢ଼ାଇ, ଦେଖାଇ ଭାବି ଯେ ।
ସପତଦ୍ୱୀପ ଜନକଳାପ, ରାତି ଭ୍ରମରେ ଜାଳିଲେ ଦୀପ,
ଦୃଢ଼ କରିଣ ହରିତ ଦୀପ ଧରି ପୃଥିବୀ ଯେ ।
ସମୁଦାୟରେ ବୀରତୂରହିଁ ବାଜେ ଯେ । ସମ୍ବର୍ତ୍ତକାଦି ଚାରିମେଘ କି ଗର୍ଜେ ଯେ ।
ସେ ଆଡ଼ମ୍ବର ମେଘାଡ଼ମ୍ବର, ଶ୍ୱେତ ଅମ୍ବର ଛତ୍ର ଚାମର,
ଅଦୃଶ୍ୟ ହେଲା ସୈନ୍ୟ ସମ୍ଭାର, ସାଜିଣୀ ସାଜେ ।୨।
ସମ୍ବର ବ୍ୟାଘ୍ର କୁଞ୍ଜର ହରି, ରକ୍ଷ ବରାହ ନକୁଳ ସରୀସୃପ,
ଶତ୍ରୁତା ଦେଲେ ପାସୋର, ନିଜ ମାନସୁଁ ଯେ ।
ଶିକାର କରି ଆସିବା ପାଞ୍ଚି, କ୍ରୀଡ଼ା ଅଟବୀମାନଙ୍କୁ ମୁଞ୍ଚି,
ଅଗମ୍ୟ ଏକାଦରୀରେ ଲୁଚି, ସଭୟବଶୁଁ ଯେ ।
ସମଦଣ୍ଡ ଚଳିବା କହିବା କେତେ ଯେ । ସୋମବର ଭୂସୁରେ ଗତ ପୁରତେ ଯେ ।
ସମଗ୍ରେ ଅଗ୍ରେ ବ୍ୟଗ୍ରେ ବାହିଜ୍ୟ, ଚଳିତ ଘେନି ପଣ୍ୟ ଆନ୍ୟଜ,
ଚେଳ କମ୍ବଳ ସୁଭୋଜ୍ୟ ଆଜ, ଏ ବିଧି ଯେତେ ଯେ ।୩।
ସମୁଦୟର ପଦାତି ଧାଟି, ଧାପେ ପ୍ରକଟି ଘର୍ଘର ଘଣ୍ଟି,
ସୁରଙ୍ଗ ମାଟି ଲେପନ କଟୀ, ତଟରେ କାତି ଯେ ।
ସାବେଳୀ ନଳୀ ଝଲକ ଫରି, ଖଣ୍ଡା ସୁଦଣ୍ଡା ଭଲ୍ଲକ ଧରି,
ଫଲି ଚାମର ପକ୍ଷେ ମାଧୁରୀ ହୋଇ ଅଛନ୍ତି ଯେ ।
ସିଂହା ଦୁର୍ଲଭ ଚଣ୍ଡାତକ ପିନ୍ଧିତ ଯେ । ସୁଦୃଢ଼ରେ ଉଷ୍ଣୀଶ ଶିରେ ବାନ୍ଧିତ ଯେ ।
ସରସ୍ୱତୀ କି ପ୍ରାବୃଟକାଳେ, ଚପଳେ ଚଳେ ତାହା କଲ୍ଲୋଳେ,
କମଳ ଦଳ ବ୍ୟାଳ ସମେଳେ, ଭାସେ ଏ ସତ ଯେ ।୪।
ସୈନ୍ଧବବଳ ମଞ୍ଜୁଳ ଦିଶେ, ସଂକୁଳ କୂଳ ପରାୟେ ଖସେ,
ଭେକ ପ୍ରକାର ପ୍ରକାର ଦିଶେ; ଟେକୁଁ ଶ୍ରବଣ ଯେ ।
ସେ ମତ୍ସ୍ୟରଙ୍କ ପ୍ରାୟେ କମ୍ପିତ, ମଥାକୁ ଟେକି ରଖେ ନିରତ,
ଧିକ୍କାରେ ବାନ୍ଧି ନୂପୁର ସତ, ନର୍ତ୍ତକୀଗଣ ଯେ ।
ସୁଗତିରେ ଅଛନ୍ତି ମନୁ ତ୍ୱରିତ ଯେ । ସେ ଯେ ହାଙ୍କିଲେ ଡେଇଁଯିବେ ପର୍ବତ ଯେ ।
ସୁସ୍ଥେ ପିଠିରେ ରାଉତେ ବସି, ବର ବରସି କମାଣ କସି,
ଟୋପି ଆଡ଼ିଣି କୁଟିଳ ଅସି କବଚେ ଯୁତ ଯେ ।୫।
ସମୁଦୟରେ ଦିଶେ ଶୋଭନ, ଯେ ଘନ ଘନ କି ଘନାଘନ,
ଗର୍ଜନ ଘନ ଘନ ସେ ଘନ, ଦାନ ଜଳରେ ଯେ ।
ଶିକଳା ଶୁଣ୍ଢଦନ୍ତେ, ଉଦଣ୍ଡ, ସିନ୍ଦୂର ଗୁଣ୍ଡ ମୁଣ୍ଡିତ ମୁଣ୍ଡ,
ସୁଘଣ୍ଟି ରୁଣ୍ଡ ଧ୍ୱନି ପ୍ରଚଣ୍ଡ, ଗମନ ଧୀରେ ଯେ ।
ସଜ ଅମାରି ଚଉଖଣ୍ଡି ବାଖରେ ଯେ । ସନ୍ତତରେ ଶ୍ରବଣ ଚାଳନ କରେ ଯେ ।
ସ୍କନ୍ଧ ଦେଶରେ ସ୍ଥିତ ମାହୁନ୍ତ, ତୀକ୍ଷ୍ଣ କୁନ୍ତ ଅଙ୍କୁଶବନ୍ତ,
ଶିରେ ସୁମନ ଗଭା କମ୍ପିତ, ହୁଏ ଯିବାରେ ଯେ ।୬।
ସ୍ୟନ୍ଦନକୁଳ ଝଳି ଚିରାଳ, ଚାମର ଚୟ ଦର୍ପଣମାଳ,
ଧ୍ୱଜ ପତାକା ଚେଳ ଅଞ୍ଚଳ, ଅନିଳ ବଶେ ଯେ ।
ସ୍ଫୁଟ ହେବାରେ ଚକ୍ର କଟ୍କଟ, ପ୍ରକଟ ଭାବେ କରନ୍ତି ନାଟ,
ଶିଖରୀ କୁଟ ପରେ ଲମ୍ପଟ ଚାହେଁ ଆକାଶେ ଯେ ।
ସାରଥିରେ ରଥୀରେ ଅତି ରୁଚିରେ ଯେ । ସୁସ୍ୱନକ ତହିଁରେ ଘଣ୍ଟ ନିକରେ ଯେ ।
ସରଣୀ ଜଳ ତରଣୀ ସେହି, ଅମ୍ଳାନ ଫୁଲ ତୋରଣେ ଶୋହି,
ନବତରୁଣୀ ଶୋଭାକୁ ବହି, ମୋହିତ କରେ ଯେ ।୭।
-ଶ୍ଲେଷ-
ସମ୍ଭାରେ ଅତି ଭୂପତି ତତି, ରୈବତ ସ୍ଥିତ ସେବନ୍ତି ଦନ୍ତୀ,
ସୁଦନ୍ତୀ କ୍ଷିତିପତି ଆକୃତି, ଚାରୁକଟକ ଯେ ।
ସୁରନିଳୟ ମଳୟ ନିଶା, ନବୀନ ଜଳଧଳ ସଦୃଶା,
ଚନ୍ଦ୍ରରେ ମନୋରମ ମନୀଷା, ନନ୍ଦକାରକ ଯେ ।
ସୁଛଟକରେ ହାଟ ବସିଛି ତହିଁ ଯେ । ସର୍ବଦ୍ରବ୍ୟ ସମ୍ଭୂତ ନ ଥିଲା ନାହିଁ ଯେ ।
ସର୍ପୀ କ୍ଷୀରରେ ବ୍ରଜପସରା, ଦିଶୁଛି ଅଧୋଭୁବନ ପରା,
ମାଳିପସରା ତ୍ରିଦିବ ତୋରା, ସୁମନଶୋହି ଯେ ।୮।
ସୁନାରୀ ନିଶିପରାୟେ ଦିଶି, ନକ୍ଷତ୍ରମାଳା ବିଧୁ ପ୍ରକାଶି,
ପଣ୍ୟୋପଲବୀ ଲାଗଂଳୀ ଧରି ଦ୍ୱାରକା ପରି ଯେ ।
ସୀତାରାମରେ ଗୁଡ଼କାରକ, ଦିଶେ, ଅଯୋଧ୍ୟାପୁର ପ୍ରାୟକ
ଅମ୍ବରେ ରମ୍ୟ ତନ୍ତୁବାୟକ, ତପନପରି ଯେ ।
ସାଧୁତକବୃନ୍ଦ କି କୈଳାସ ଗିରି ଯେ । ସର୍ବଦାରେ ଅଛନ୍ତି କପର୍ଦୀ ଧରି ଯେ ।
ସଞ୍ଚାର କଲା ଗ୍ରହ ପ୍ରକାରେ, ତହିଁରେ ଶୋଭା ଚକ୍ରୀ ଧୀବରେ,
ସହିତ କୁମ୍ଭ ମୀନ ତୁଳରେ, ହେବାରୁ କରି ଯେ ।୯।
-ବ୍ୟଙ୍ଗ ଶ୍ଲେଷ-
ସେ ହାଟେ ଉରଜଙ୍କ ଯୁବତୀ ସିନ୍ଦୂର ସମ୍ପୁଟକେ ବିକନ୍ତି,
ଓଷ୍ଠ ଉରଜ ଘୋଡ଼ାଇଛନ୍ତି, ଅତିଯତନେ ଯେ ।
ସିହାଣ କେହି ଯେବେଟି କହି, ଏ ସମ୍ପୁଟକ କିଣିବି ମୁହିଁ;
ଶୁଣି ପଣନ୍ତ ହସିଲା ହୋଇ, ଦିଏ ଲପନେ ଯେ ।
ସେ ସ୍ଥଳକୁ ନାଗରୀ କାମିନୀ ଆସି ଯେ । ସ୍ୱରୂପରେ ନିୟନ୍ତି ରମ୍ଭା ଉର୍ବଶୀ ଯେ ।
ସ୍ନେହାନୁବନ୍ଧ ଯାହା ଯାହାର, ଭେଟ ହୋଇଲେ ତାହା ତାହାର;
ଗହଳେ ଯାନ୍ତି ନଦୀ ସାଗର, ପରାୟେ ମିଶି ଯେ ।୧୦।
ସ୍ନେହେ କେ ଭାଷେ ଚତୁରୀ ପାଶେ, କରୁଣା ନାହିଁ ପରା ଏ ଦେଶେ,
ଅନୁସରି ମୁଁ ଥାଇ ଅନିଶେ, ଦେଖଇ ନାହିଁ ଯେ ।
ସେହି କଥାକୁ ଛଳି ସେ କହି, ବିଦ୍ରୁମଫଳ ମିଳଇ ଯହିଁ,
ଅମୃତଠାରୁ ସ୍ୱାଦୁ ହୁଅଇ, କି ଲୋଡ଼ୁ ତହିଁ ଯେ ।
ସାର ରସିକ କେହି ଭାଷେ ଏ ଗିରି ଯେ । ସ୍ନେହୀ ପଦ୍ମିନୀଠାରେ ଭୋକି ଭ୍ରମର ହେ ।
ସେ କି ବେଭାର କରେ ରାତିରେ, ରଖଇ ନାହିଁ ମୋହି କତିରେ
ରାମାବୋଧିଲା ଏ ଭାରତୀରେ, ଦୋଷ ଚନ୍ଦର ଯେ ।୧୧।
ସ୍ୱୟଂ ଦୁତୀହିଁ ଚିତ୍ତେଆଦରି, ନାଗରେ ଦୃଷ୍ଟିପାତ ନ କରି,
କହେ କେ ସଖୀ ହସ୍ତକୁ ଧରି, ଚାତୁରୀ କି ଯେ ।
ଶାଶୂ ଶ୍ୱଶୁର ପୁରକେ ଶୋଇ, ବର ଅଛନ୍ତି ବିଦେଶେ ଯାଇ,
ଏକା ମୁଁ ଥାଇ ନିଦ୍ରା ନୁହଇ, ରାତ୍ରକୁ ଡରି ଯେ ।
ଯେ ଭୁବନେ ରହିଛି ଭୂତ ମନ୍ନଥ ଯେ । ସ୍ଥିର ହୋଇଛି ଯେଣୁ ଦ୍ୱାରେ ଅଶ୍ୱତ୍ଥ ଯେ ।
ସାହା ମୋ ତୁହି କହିଲି ତୋତେ, ଜାଣ ଅବଧି ମୋହ ସଙ୍ଗତେ,
ହର ରଜନୀ କୁହୁକ ମତେ, କର କୃତାର୍ଥ ଯେ ।୧୨।
ସ୍ନପିତ ସୁଧାରସରେ ଦାନୀ, ପୁରୁଷେ କେଉଁ ରମଣୀମଣି,
କେହି କାହାକୁ କହିଲା ଜାଣି, ମୃଦୁସଧୀର ଯେ ।
ସ୍ୱସା ପତିର ଅଛନ୍ତି ଘର, ଏକ ଜୀବନ ତାଙ୍କ ମୋହର,
ନିରତେ ରହେ ରାଜା ଦୁଆର, ପତି ଦେବର ଯେ ।
ସଧବା ସେ ନୁହନ୍ତି କରମବଳେ ଯେ । ଶାଶୁ ନିକଟେ ପରଲୋକରେ ମିଳେ ଯେ ।
ସଦପାତ୍ରରେ କରନ୍ତି ଦାନ, ସୁବର୍ଣ୍ଣ କୁମ୍ଭ ଦିବ୍ୟବସନ,
ମନେ ଖୋଜୁଛି ଅନବିଚ୍ଛିନ୍ନ, ଗ୍ରାହୀ ନ ମିଳେ ଯେ ।୧୩।
ସାଧାରଣ ଏ ଶ୍ରେଣୀଭୂତରେ, ବିରହୁଛନ୍ତି ତହିଁ ଭିତରେ,
ରଖନ୍ତି ଯୁବା ଚିତ୍ତ ଭିତରେ, ନିଜଚାତୁରୀ ଯେ ।
ଷୋଡ଼ଶୀ ରସାଳସୀ ଧଡ଼ସୀ, ପକାଇ ସୁକଟାକ୍ଷ ବଡ଼ଶୀ,
ମନମୀନକୁ ହୃଦ ସରସୀ, ମଧ୍ୟୁ ଓଟାରି ଯେ ।
ସେ ଭଙ୍ଗୀକି ଅନାଇ ବିଟପ ନରେ ଯେ । ସ୍ୱର୍ଣ୍ଣ ଏତେ ବୋଲିଣ ଠାରନ୍ତି କରେ ଯେ ।
ସୀଉକାରକୁ ପାଇ ତାଙ୍କର, ହୁଅନ୍ତି ଅତି ହରଷଭର,
ଭାବନ୍ତି ବେଗେ ସରୁବାସର, କାମକାତରେ ଯେ ।୧୪।
ସର୍ପତୁଣ୍ଡିକି ବଜାଇ ଢାକି; ଖେଳାଇ ସର୍ପମନ୍ତ୍ରକୁ ଡାକି,
ମର୍କଟନାଟ କାହିଁ କୁତୁକୀ କରାଉଛନ୍ତି ଯେ ।
ସେ ପଥେ ନଟ କରନ୍ତି ହଟ, କେବଣ ନଟ ବହିଣ ଘଟ,
ଉତାରି ପାଟ ଦାତାଏ ପାଟବସ୍ତ୍ର ଦିଅନ୍ତି ଯେ ।
ସୁଖେ ଭ୍ରମନ୍ତି କାହିଁ ବାଚାଳ ଯୁଗ ଯେ । ସ୍ଥଳ ସ୍ଥଳକେ ଦେଖା ଗତ ତୁରଙ୍ଗ ଯେ ।
ସେ ସ୍ଥାନେ ମିଳି ମଧୁପିଆଳୀ, ମତୁଆଳରେ କରନ୍ତି କେଳି,
ସଭା ସଜ୍ଜନେ ଦିଅନ୍ତି ଗାଳି, ବିବେକ ଭଙ୍ଗ ଯେ ।୧୫।
-ମ୍ଳେଷ-
ସେଠାରୁ ଯାଇଁ ନୃପ କଳାପ, ଦେଖିଲେ ଶୋଭା ସଭାମଣ୍ଡପ,
ବହିଛି ଆକାଶର ସ୍ୱରୂପ, ତାରେ ଜ୍ୱଳିତ ଯେ ।
ସତ୍ତମ ବୁଧ ରେବତୀପତି, ଶଉରିଗୁରୁ କବି ଅଛନ୍ତି,
ମଙ୍ଗଳ କେତୁ ଯହିଁ ମିଳନ୍ତି, ମିତ୍ର ତୋଷିତ ଯେ ।
ସନମାନ ପାଇଣ ବସିଲେ ସର୍ବେ ଯେ । ସତ୍ୟବଚସଗଣ ପ୍ରବେଶ ଜବେ ଯେ ।
ଜଟା କୌପୁନୀ ହରିଣାଜିନ, ଦଣ୍ଡକରକ ମାଳା ମଣ୍ଡନ,
କୁଣ୍ଡଳକର୍ଣ୍ଣ ଭସ୍ମଲେପନ, ସେ ଅବୟବେ ଯେ ।୧୬।
ସନକ ବ୍ୟାସ ଗୌତମ ଶୁକ, ପୁଲହ କ୍ରତୁ ଭୃଗୁ କୌଶିକ,
ଅଙ୍ଗିରା ପରାଶର ଜନକ, ମୃକଣ୍ଡୁ ସୂତ ଯେ ।
ସନକ ଭରଦ୍ୱାଜ ଅଗସ୍ତି, ବଶିଷ୍ଠ ଅଷ୍ଟାବକ୍ର ପୌଲସ୍ତି,
ଋଷ୍ୟଶୃଙ୍ଗକ ମରୀଚି ଅତି, ଗାର୍ଗବ ଗତ ଯେ ।
ସତ ଦୁର୍ବାସା ବିଭାଣ୍ଡକ ସୁମନ୍ତ ଯେ । ସନତକ କପିଳ ନାରଦ ଯୁତ ଯେ ।
ଷଠିସହସ୍ର ଯେ ବାଳଖିଲ୍ୟା, ସେହି ଏଥିରେ ହୋଇଣ ମେଳା,
ହରିରେ ମାନ୍ୟ ଲଭିଣ ଧନ୍ୟ ହୋଇ ତୃପତି ଯେ ।୧୭।
ସାତ୍ୟକୀ ଯାଇଁ ଦଇବବଶେ, ମିଳି ଗୋଶିଙ୍ଗ ଦାନବ ଦେଶେ,
ଆପଣା ପ୍ରାଣ ରକ୍ଷଣ ଆଶେ, ଯାଗକୁ ବରି ଯେ ।
ସୈନିକକୃତ ହୋଇ ତ୍ୱରିତ, ସେହୁ ଗମିତ ପୃଥ୍ୱୀ କମ୍ପିତ,
ଭୂମିମଣ୍ଡଳ ଉତ୍ପାତ ଜାତ, ମାନବେ ଥରି ଯେ ।
ସଘନରେ ଦିଶିଲେ ତାରା ଦିବସେ ଯେ । ଶୁଭେ ନିର୍ଘାତ ଜାଳ ପାଁଶୁ ବରଷେ ଯେ ।
ସମ୍ମୁଖେ ଉଲ୍କା ପ୍ରକାଶ ଆସି, ଗ୍ରାମ ଭିତରେ ଶୃଗାଳ ପଶି,
ପ୍ରତିମାର୍ଗଣ ରୋଦେ ଅନିଶି, ଭୀତି ପ୍ରଦେଶେ ଯେ ।୧୮।
ସିନ୍ଧୁକାବେରୀ ଜାହ୍ନବୀ ଗୋଳା, ଯମୁନା ବ୍ରାହ୍ମୀ ଚିତ୍ର ଉତ୍ପଳା,
ଭାର୍ଗବୀ ସରସ୍ୱତୀ ମେଖଳା, ରେବା ନର୍ମଦା ଯେ ।
ସୁବର୍ଣ୍ଣରେଖା ସୁଋଷିକୁଲ୍ୟା, ସରଯୁ ଚନ୍ଦ୍ରଭାଗା ସୁରଳା,
କୌଶିକୀ ସରାବତୀ ବିମଳା, ସୁତୁଙ୍ଗଭଦ୍ରା ଯେ ।
ସଦାନୀରାଦି ନଦୀ ହେଲେ ଶଙ୍କିତ ଯେ । ସକମ୍ପନ ହୋଇଲେ ଏତେ ପର୍ବତ ଯେ ।
ସହ ମଳୟ ପାରିପାତ୍ରକ, ବିନ୍ଧ୍ୟ ହେମାଦ୍ରି ମେରୁ ମେନାକ,
ଗନ୍ଧମାର୍ଦ୍ଦନ କୈଳାସ ଲୋକାଲୋକ ସହିତ ଯେ ।୧୯।
ଶୁଣି ସେ ଗ୍ରାମଜନ ଶ୍ରୁତିରେ, କଲେ ସେ ପୁରୀ ଗିରି ଦରୀରେ,
ଯେହି ପଡ଼ିଲେ ମୁଖରେ ଖରେ, ହେଲେ ଭକ୍ଷଣ ଯେ ।
ସ୍ଥାପିତ ଦେବଗଣଙ୍କୁ ଧ୍ୱଂସି, ଗୋ ବିପ୍ର ସ୍ତିରୀ ବାଳକ ନାଶି,
ରୈବତ ପାଶେ ହୋଇଲେ ଆସି ରାକ୍ଷସଗଣ ଯେ ।
ସନାତନ ହଳୀଙ୍କି ସାତ୍ୱକୀ କହି ଯେ । ସଭୀତିରେ କୁଟୁମ୍ବ ଦ୍ୱାରକା ନେଇ ଯେ ।
ସୌନନ୍ଦ ହଳୀ ସୁଦରଶନ, ଗଦା ଧରିଣ ଚଢ଼ି ସ୍ୟନ୍ଦନ,
ରଣେ ତୈତ୍ୟଙ୍କୁ କଲେ ନିଧନ, କୂପିତ ହୋଇ ଯେ ।୨୦।
ସୁବୁଦ୍ଧି ଜପାସୁର ବିଦିତ, ଅସୁର ମନ୍ତ୍ରୀ ରାମ ଅଗ୍ରତ,
କହିଲା ମାର ଆମ୍ଭଙ୍କୁ ଦୂତ, ପେଷି ହକାରି ଯେ ।
ସର୍ପକୁ କଥା ପ୍ରସଙ୍ଗ ଧରେ, ଡାକି ମନ୍ତ୍ରରେ ନାଶ ନ କରେ,
ପଶିଲେ କଥା ପ୍ରସଙ୍ଗ ପୁରେ, ତାକୁ କି ମାରି ଯେ ।
ଶୁଣି ଶାନ୍ତି ଭଜିଲେ ମାନଗୋବିନ୍ଦ ଯେ । ସଙ୍ଗେ ଆଣିଲେ ବରି ଦାନବ ଇନ୍ଦ୍ର ଯେ ।
ସୁରା ମହିଷି ଛାଗଳ ମେଷ, ଆମିଷା କ୍ଷୀର ପୂର ବିଶେଷ,
ସମର୍ପି କଲେ ତାଙ୍କ ମାନସ, ଅତି ଆନନ୍ଦ ଯେ ।୨୧।
ସମାନ ନାହିଁ ଯାଗଶାଳକୁ, ସୃଷ୍ଟି ଭିତରେ ଦୃଷ୍ଟି ଦେବାକୁ,
ଚିତ୍ରଯୂପକୁ ଶ୍ରୁବ ଶ୍ରୁଚକୁ ଘେନି ଦିପତୀ ଯେ ।
ସୋମବଲ୍ଲରୀ ମୃଗ ଗୋକୃତି, ଘୃତବସନ ଉତ୍ତମପାତ୍ରୀ,
ଦର୍ଭସମିଧ ଆସନପନ୍ତି, ପୂରିଅଛନ୍ତି ଯେ ।
ସାମ ଆଦିରେ ଚାରିବେଦ ପାରଗ ଯେ । ଷୋଳ ଋତ୍ୱିଜ ଘେନି ଭୂସୁରବର୍ଗ ଯେ ।
ସୁଲଗ୍ନ ଜଉତିଷେ ବିଚାରି, ଘେନିଲେ ଦୀକ୍ଷା ମୁଷଳୀ ହରି,
ପ୍ରଦ୍ୟୁମ୍ନ କ୍ଷେତ୍ରପାଳ ଆବୋରି, ଦ୍ୱାରକୁ ବେଗ ହେ ।୨୨।
ଶୁଭେ ଦୁନ୍ଦୁଭିନାଦ ନିରତ, ଏମନ୍ତେ କେତେ ଦିବସ ଅନ୍ତ,
କିତବ ବୁଦ୍ଧି ବିଚାରି ଦୈତ୍ୟ ରାତ୍ରି ପ୍ରବେଶେ ଯେ ।
ସେନାମାନଙ୍କ ଦର୍ପକୁ ଦଣ୍ଡି, ହାତୀ ରଥୀଙ୍କି କୃପାଣେ ଖଣ୍ଡି,
ଦେଖି ଭାଜିଲେ ପଦାତି ରୁଣ୍ଡୀ, ଭୂତ ସତ୍ରାସେ ଯେ ।
ଶସ୍ତ୍ର ଛଡ଼ାଇ କ୍ଷେତ୍ରପାଳଙ୍କ କରୁ ଯେ । ସ୍ପନ୍ଦ ସ୍ୱରୂପ ଧରି ସେ ଭୟ କରୁଁ ଯେ ।
ସଶୀଘ୍ରେ ମଖ ମଦନେ ପଶି, ଚର୍ବଣ କରି ବହୁତ ଋଷି,
ଅନଳେ ରାମକୃଷ୍ଣ ନିବେଶି, ଅତି କ୍ରୋଧରୁ ଯେ ।୨୩।
ସତ୍ୟଭାମାକୁ ଏରୂପେ ତହିଁ, ଅସୁର ଚାହିଁ ହୋଇଲା ମୋହି,
ଭାବିଲା ପୂର୍ବେ ନ ଥିଲା ନାହିଁ, ନୋହିବ ପୁଣି ଯେ ।
ସମ୍ପୂର୍ଣ୍ଣ ଶୋଭାରାଶି ସୁକେଶୀ, ବିକାଶ କାଶ କର୍ପୂର ହାସୀ,
ଜନମାନସ ମୋହନ ପାଶୀ, ରମଣୀମଣି ଯେ ।
ସରସିଜ ଦର୍ପଣ ଚନ୍ଦ୍ର ବଦନା ଯେ । ସୁହୀରକ କରଜ କୁନ୍ଦରଦନା ଯେ ।
ସିନ୍ଦୂର ବାଳଭାନୁ ପ୍ରବାଳ, ବିମ୍ବ ବିଡ଼ମ୍ବ ନବ ପ୍ରବାଳ,
ବନ୍ଧୁ ଜୀବକ ଜବା ହିଙ୍ଗୁଳ, ରଦଛଦନା ଯେ ।୨୪।
ସୁବର୍ଣ୍ଣ ଚମ୍ପା ସମ୍ପା କୁଙ୍କୁମ, କେତକୀ ନିଶା ଷଣକୁସୁମ,
ଗଉରୀ ହରିତାଳ ପ୍ରତିମ, କାନ୍ତି ସଦୃଶୀ ଯେ ।
ସଜଳ ଜଳଧର କଜ୍ଜ୍ୱଳ, ଭୃଙ୍ଗ ତମାଳ କାଳିନ୍ଦୀଜଳ,
ବରହୀପୁଚ୍ଛ ଚାମର ନୀଳମଣି ସୁକେଶୀ ଯେ ।
ସୁକୋମଳା ପଦ୍ମିନୀ ପଦ୍ମସୁବାସୀ ସେ । ସ୍ମର ଚାପ ସ୍ୱରୂପ ଭୂରୁ ବିଳାସୀ ଯେ ।
ସାରଙ୍ଗ ନୀଳ-କଞ୍ଜ ଖଞ୍ଜନ, ଅଞ୍ଜନଶର ପୁଞ୍ଜ ଗଞ୍ଜନ,
ଶଫରୀ ଗର୍ବ ଅଞ୍ଜନ, ରଞ୍ଜନ ଦୃଶ ଯେ ।୨୫।
ସଂଗୃହୀତ ଯେ କରି ସେ ନାରୀ, ରଥାରୋହଣ ତ୍ୱରିତେ କରି,
କହିଲା ମନ୍ତ୍ରୀ ଏହା ନ କରି, ନୋହେ ବେଭାର ଯେ ।
ସୀତା ହରଣେ ମଲା ଲଙ୍କେଶ, ଦୁର୍ଗା ଲୋଭେ ତୋ ପ୍ରପିତା ନାଶ,
ତେଜ ଏ କନ୍ୟା ଲାଳସ, ଘେନି ମୋ ଗିର ଯେ ।
ସେ ବଚନେ ରାଜନ ଏମନ୍ତ କହି ଯେ । ସୁଧାକର ପ୍ରାପତ ଏଡ଼ିବି କେହି ଯେ ।
ସ୍ମରସମୁଦ୍ର ତରଣେ ସତ, ଏହା ବହିତ୍ର କୂପବେ ଯୁକ୍ତ;
ସଚିବ ତୁ ତ ପଡ଼େ ଅହିତ, କହୁ କି ପାଇଁ ଯେ ।୨୬।
ସଗୋତ୍ର ହୋଇ ଦେବର ବର, ଭସ୍ମ ଅନଳେ ଯୋଗ ଏହାର,
କେ କରିବଟି ଆଉ ସମର ବାହା ସ୍ୟନ୍ଦନ ଯେ ।
ସପକ୍ଷେ ଚଳି ଏମନ୍ତ ଭାଳି, ଉଚ୍ଚେ ରୋଦନ କରନ୍ତି ବାଳୀ,
ହା କୃଷ୍ଣ କୃଷ୍ଣ ପୁଣି ସେ ବୋଲି ରଖ ଅର୍ଜୁନ ଯେ ।
ସେହି ରାତ୍ରରେ ତୁଙ୍ଗଭଦ୍ରାରେ ତୀରେ ଯେ । ସମ୍ଭାଇଲା ଯେ ଶଦ୍ଦ ପାର୍ଥ ଶ୍ରୁତିରେ ଯେ ।
ସଂକ୍ଷିପ୍ତ କଲା ମନ୍ତ୍ରୀ, ଆଶୁଗ, ରୁନ୍ଧିତ ହେଲା ସକଳ ଦିଗ,
ପଥ ନ ପାଇ କୌଣପବର୍ଗ, ଦୁଃଖ ମତିରେ ଯେ ।୨୭।
ସୌପ୍ତିକ ବନ୍ଧେ କରି ସନ୍ମନ, ବୀର ଶବର ଏହି ଅରଣ୍ୟ,
ବାସ କରିଛି ପାଞ୍ଚିଲେ ପୁଣ, ଜନ ନିକର ଯେ ।
ସନ୍ତାପୀ ହୋଇ କହେ ସଚିବ, ନ ଘେନିଲୁ ମୋ ବାଣୀ ଭୋଦେବ,
ଯୁବତୀ ଘେନି ଜୀବନ ଯିବ, ଯମ ନଗର ଯେ ।
ସାର କଲେ ବିଚାର ନାରୀକି ଦେବା ଯେ । ସରୁ ରଜନୀ ତାକୁ ପ୍ରବୋଧି ଯିବା ହେ ।
ସବିତା ଏହି କାଳେ ଉଦୟ । ଗହ୍ୱରେ ଲୁଚେ ତମ ନିଚୟ,
ହୋଇଲା ଜାତ ଉଲକ ଭୟ, କାଳ ଡାକିବା ଯେ ।୨୮।
ସୁନ୍ଦରୀ ନିଧି ଘେନି ସନ୍ନିଧି, ସମର୍ପେ ଧନଞ୍ଜୟ ସନ୍ନିଧି,
କାନ୍ଦି କହନ୍ତେ ସକଳ ବିଧି, ପ୍ରମଦାବର ଯେ ।
ସରୋଷେ ଖଡ଼ଗ କରି ବିକୋଷ, ଛେଦିଲେ ଦୈତ୍ୟମନ୍ତ୍ରୀ ଶିରୀଷ,
ସେହି ରାକ୍ଷାସଈଶ ପ୍ରକାଶ, କଲା ସମର ଯେ ।
ସତ୍ୟଭାମାଏ ଯାଇ ଗିରିଗୁହାରେ ଯେ । ସୁଖେ ରହିଲେ ଶତଧନୁ ସଙ୍ଗରେ ଯେ ।
ସଘନ ରସା ଯୁଦ୍ଧ ବରଷା, କାଳ ସଦୃଶା ଅଦୃଶା ଆଶା,
କର୍ଦ୍ଦମ ଜାତ ହୋଇଲା ରସା ନୀର ରୁଧିରେ ଯେ ।୨୯।
ସମ୍ପାତ ତୀକ୍ଷ ମାର୍ଗଣ ଜାତ, ଗୁଣ ଟଙ୍କାର ଯହିଁ ସ୍ତନିତ,
କୃପାଣ ଝଟକିବା ତଡ଼ିତ, ଧ୍ୱଜ ବକାଳି ଯେ ।
ସଂକୁଳ ରବ ଯୋଦ୍ଧାମାନଙ୍କ, ଭେକ ଡାହୁକ ମୟୁର ଡାକ,
କୋଦଣ୍ଡ ରୁଣ୍ଡ ଇନ୍ଦ୍ର କାର୍ମୁକ, ଅତ୍ୟନ୍ତ ଧଳି ଯେ ।
ବାଟୁଳି କରକା ବୃଷ୍ଟି ଯେ । ସତ ଶକୁନ୍ତ ତହିଁ ହୋଇଲେ କଷ୍ଟି ଯେ ।
ଶାମୁକ ନାଦ ଘଣ୍ଟି ଶବଦ, କବନ୍ଧ ନାଟ ରକତ ନଦ,
ଉଭୟ ତହିଁ କରେ ବିନୋଦ, ଫରିକର୍କଟୀ ଯେ ।୩୦।
ସମୀର ପାର୍ଥ କରନ୍ତେ କେଳି, ଦୈତ୍ୟ କଦଳୀ ହୋଇଲେ ଦଳି,
ଗୋଶୃଙ୍ଗ ମହାପାଦପ ଢ଼ଳି, ହୋଇ ବିଭିନ୍ନ ଯେ ।
ଶସ୍ୟ ସମ୍ପତ୍ତି ହୋଇଲା ଏବେ, ଦେଖି ହରଷ କୃଷିକ ଦେବେ,
ବିଚାର କଲେ ବସିଣ ସର୍ବେ, ଏକଇ ସ୍ଥାନ ଯେ ।
ସାହୁ କୃଷ୍ଣ ବଲ୍ଲଭୀ ଲଭି ସନ୍ତୋଷ ଯେ । ସୁଝା ମୂଳଧନକୁ ପାଇବା ଆଶେ ଯେ ।
ସୂର୍ପ ବ୍ୟଜନ ଶକଟରଥ, ଚଷକ ନାରୀ ଶମନଦୂତ,
ସହିତ ଶମଶାନ ସେ କ୍ଷେତ୍ର ତହିଁ ପ୍ରବେଶ ଯେ ।୩୧।
ଶ୍ୱାନ ଶୃଗାଳ ଗୃଧ୍ର ଡାକିନୀ, ପିଶାଚ ଭୂତ ଚଣ୍ଡୀକି ଘେନି,
ଶୋଭିତ କଲେ ଯୁଦ୍ଧ ଅବନୀ, ଅତି ସତ୍ୱରେ ଯେ ।
ସୂପକାର ଯେ ଅର୍ଜୁନ ହୋଇ ଉତ୍ତମ ଭୋଜି ଅଛି ଭିଆଇ,
ଖାଇବା ଉଦରକୁ ପୂରାଇ, କରି ଚିତ୍ତରେ ଯେ । ସିଝା
ପୂପ ପ୍ରକାର ରସପୂରିତ ଯେ । ସୀମନ୍ତକକୁ ଚୋବାଇଲେ ତ୍ୱରିତ ଯେ ।
ସୁଭୋଗ୍ୟ ଶୋଣ ପଣାର ପରି, ବପାଖଣ୍ଡକୁ ବ୍ୟଞ୍ଜନ କରି,
ପିତ୍ତକୁ ଘୃତ ପ୍ରକାରେ ଧରି, କରେ ଲୋହିତ ଯେ ।୩୨।
ସେ ଭୂଜପାଦ ମତ୍ସ୍ୟର ସ୍ୱାଦୁ, ପାଇ ଖାଇଲେ ଅତି ପ୍ରମୋଦୁଁ,
କାଢ଼ିଣ କରତଳ ପ୍ରମଦୁଁ, ନଖ କଣ୍ଟକ ଯେ ।
ସମଦେ କିଳିକିଳା, ନିନାଦ, କରନ୍ତେ ଶୁଭେ ରଟରଟ ରଦ,
ଭାବେ ରହିଲେ ହୃଦୟ ମେଦ, ପରେ ତରଙ୍କ ଯେ ।
ଶୁଖାଇଣ ପିଶିତ ଭଦୟମାନେ ଯେ । ସଞ୍ଚି ରଖିଲେ ବହୂକାଳ ବଞ୍ଚନେ ଯେ ।
ସର୍ବଜ୍ଞଭୂତେ ଶୂନ୍ୟ କୈଳାସ, ଦେଖି ଜାଣିଲେ ଅର୍ଜୁନ ଯଶ,
ଉମା ସହିତେ ଦେଲେ ଆଶିଷ, ହରଷମନେ ଯେ ।୩୩।
ସନ୍ଦେହବହ ପଳାଇଯାଏ, ଉପୁଜିଅଛି ଅତ୍ୟନ୍ତ ଭୟେ;
ତରୁଲତାଏ ଅର୍ଜୁନ ପ୍ରାୟେ, ଦିଶନ୍ତି ତାକୁ ଯେ ।
ଶ୍ମଶାନେ ବାସକଲା ସବଳ, ହୋଇ ଆପଣେ ଅବନୀପାଳ,
କହିଲେ ପୁରେ ହୋଇ ଆକୁଳ, ଏହି ବାର୍ତ୍ତାକୁ ଯେ ।
ସର୍ବଂସହାରେ ହେଲେ ନାରୀ କଚାଡ଼ି ଯେ । ସ୍ୱହସ୍ତରୁ ଭାଙ୍ଗିଲେ ସୁବର୍ଣ୍ଣ ଚୁଡ଼ି ଯେ ।
ସୁରଙ୍ଗ ଧଡ଼ି ଶାଢ଼ୀ ମୁଞ୍ଚିଲେ, ଲୋତକେ ଉର ତିନ୍ତାଇ ଦେଲେ,
ହା ନାଥ ବୋଲି ହୃଦୟସ୍ଥଳେ, କରକୁ ତାଡ଼ି ଯେ ।୩୪।
ସହଦେବର ଅଗ୍ରଜ ସଙ୍ଗେ, ହରି କାମିନୀ ବିମାନ ରଙ୍ଗେ,
ଆରୋହି ଆସି ରୈବତ ନଗ୍ରେ, ପ୍ରବେଶ ହେଲେ ।
ସପତଜିହ୍ୱ ମଧ୍ୟରେ ଲୀନ, ହୋଇଥିଲେ ଯେ ମଧୁସୂଦନ,
ହଳୀ ତାହାଙ୍କୁ ସେ ଅବତୀର୍ଣ୍ଣ, ସତ୍ୱରେ କଲେ ଯେ ।
ସାତ୍ୱତାଦିରେ ସାତବଂଶ ଯାଦବ ଯେ । ସେହି ସ୍ଥାନରେ ରୁଣ୍ଡ ହୋଇଲେ ଜବ ହେ ।
ସୁକର୍ମୀ ଦ୍ୱିଜେ ଆସି ଆଶିଷ, ଦେଲେ ମାଗଧେ ବର୍ଣ୍ଣିଲେ ଯଶ,
ଗ୍ରହପାଞ୍ଜକି କହେ ଜ୍ୟୋତିଷ, ମହାଉତ୍ସବ ଯେ ।୩୫।
ସ୍ୱରୂପା ରୂପଜୀବାଏ ଗୀତ, ଗାନ କରନ୍ତି ସେ ମଧ୍ୟେ ସ୍ଥିତ,
ହୋଇଲା ଚାଟୂବଟୁ ସୁନୃତ୍ୟ, ଆରମ୍ଭ କରି ଯେ ।
ସଂଳାପବାଣୀ ଆଳାପ କରେ ତାହା ଚିବୁକ କରକୁ ଧରେ,
ବକ୍ର ଚାହାଣି । ଅନାଇ ନରେ, ହାସ ଆଦରି ଯେ ।
ସାନନ୍ଦରେ ଗମିତ ଦ୍ୱାରକାପୁରୀ ଯେ । ସ୍ଵୈରିନ୍ଦ୍ରୀକି ହକାରି ବୋଇଲେ ହରି ଯେ ।
ସବୁନାରୀକି ବେଶ କରିଣ, ମୋ ଆଜ୍ଞା କହି ଆଣ ତତ୍କ୍ଷଣ,
ଅର୍ଜୁନେ ଅର୍ଘ୍ୟ ଦେବା କାରଣ, କି ଅପକାରୀ ଯେ ।୩୬।
ସପ୍ତତିରିଶ ପଦେ ପୂରିତ, ବୀର କାରୁଣ୍ୟ ହାସ୍ୟ ଅଦ୍ଭୁତ,
ବୀଭତ୍ସ ଭୟାନକ ସୁଶାନ୍ତ ରୌଦ୍ର ଶୃଙ୍ଗାର ଯେ ।
ସୁବ୍ୟକ୍ତ ପୁଣି ଛାନ୍ଦଛାନ୍ଦକେ, ପ୍ରତୀତ ହେବ ଅଳଙ୍କାରିକେ,
ଶୁଣି ତୃପତି ହେବେ ରସିକେ, ପଣ୍ଡିତନରେ ଯେ ।
ସଉମିତ୍ରୀ ଦକ୍ଷିଣେ ସୀତା ବାମରେ ଯେ । ସମୀରଣ ଆତ୍ମଜ ସ୍ଥିତ ଅଗ୍ରରେ ଯେ ।
ସେ ରାମେ ନମସ୍କାର ଅଶେଷ, କରି ଏ ରୂପେ ଧ୍ୟାନ ମାନସ,
କହିଲା ଉପଇନ୍ଦ୍ର ଏ ରସ ତୋଷ ଚିତ୍ତରେ ଯେ ।୩୭।
ସ୍ଵୈରିନ୍ଧ୍ରୀଠାରୁ ପାଇଣ ବାରତା । ସହରଷ ଅନ୍ତଃପୁର ବନିତା ।
ସଞ୍ଚା ସଜାଡ଼ିଲେ ଅର୍ଘ୍ୟ ଦେବାକୁ । ସୁବର୍ଣ୍ଣସ୍ଥାଳି ତଣ୍ଡୁଳ ଦୂର୍ବାକୁ ଯେ ।
ସଭିଏଁ ହୋଇଲେ ବେଶ ଯେ ।
ସୁଭଦ୍ରା ପୁଣି ଯେମନ୍ତ ବେଶ ହେଲେ ଶେଷ ନ କରିବେ ଶେଷ ଯେ ।୧।
ସ୍ୱବେଶ ବେଶକୁ ସ୍ୱଭାବେ ସେହି । ସୁବେଶିତ ହେଲା ଉପମା କାହିଁ ।
ସୁନ୍ଦର ବେନି କୋଳାକୋଳ ହେଲା । ସମ୍ପୂର୍ଣ୍ଣଚନ୍ଦ୍ର କୁମୁଦ ଲଭିଲା ସେ ।
ଶ୍ୟାମଳୀ ଚିକୁର ପୁଣି ଯେ ।
ସିଂହାଣୀ ଜୁଡ଼ା କରିଛି ଧନ୍ୟ ମନମୀନ ସଂଗ୍ରହ କୁବେଣୀ ଯେ ।୨।
ସୀମନ୍ତ ତଥିରେ ଦିଶେ ଏସନ । ସୁଧାନିଧି ମୁଖ ଚିର ପ୍ରସନ୍ନ ।
ସୁଦରଶନରେ ଉଲ୍ଲାସ ତୁଟି । ସାନ୍ଦ୍ର ତମର ହୃଦ ଗଲା ଫାଟି ସେ
ସେକ୍ଷଣି ହୋଇଲା ପରା ଯେ ।
ଶୁଖି ନାହିଁ ତାର ରୁଧିରଧାରା ସେ ତେମନ୍ତ ସିନ୍ଦୂର ଗିରା ଯେ ।୩।
ସମ୍ପକ କୁସୁମ ମାନିୟା ପରି । ସର ବାନ୍ଧିଅଛି ଚାତୁରୀ କରି ।
ସଘନଘନ ସ୍ଥୂଳମୂର୍ତ୍ତି ଦେଖି । ସଉଦାମିନି ଆଲିଙ୍ଗନେ ସୁଖୀ ସେ ।
ସ୍ୱଚ୍ଛ କିଆପତ୍ରୀ ପୁଣି ଯେ ।
ଶାଢ଼ୀ ବାନ୍ଧିଛି ସେ ଧାତାଠାରୁ କେକୀପୁଚ୍ଛାଦି ଉପମା ଜିଣି ଯେ ।୪।
ସିନ୍ଦୂର ବିନ୍ଦୁ ଚନ୍ଦନ ଚିତାରେ । ସୂର୍ଯ୍ୟଚନ୍ଦ୍ରଙ୍କୁ ଦେଖି ଏକଠାରେ ।
ସୁନିର୍ମଳ ମୋତି ଜାଲି ଟୋପରେ । ସଜ ହୋଇ କେଶ ରାହୁ ସତ୍ୱରେ ଯେ ।
ସୁତୁଣ୍ଡ ଅଛି ପ୍ରକାଶି ଯେ ।
ସେ କର୍ଣ୍ଣ ଏ କର୍ଣ୍ଣ ଯାଏଁ ଝିଲିମିଲି ମାଳି ଦନ୍ତାଳି କି ଦିଶି ଯେ ।୫।
ସତ୍ୟ ବାଳତମ ଊର୍ଦ୍ଧ୍ୱ ଥିଲାକୁ । ସୁନ୍ଦରିମା ମୁଖର ଦିଶିବାକୁ ।
ସୁମନା ପାଞ୍ଚି ରଖିଛି ସ୍ୱରୂପ । ସୁବର୍ଣ୍ଣ ଦୋଳିରେ ତାଟଙ୍କ ଦୀପ ସେ ।
ସେ ଜ୍ୟୋତିକି ଚାହିଁ ବେଗ ଯେ ।
ସର୍ବତ୍ର ଚାହାଣି ନୟନ ତରଙ୍ଗ ମୀନ ଧାଇଁଛି ସେ ଦିଗ ଯେ ।୬।
ସମସ୍ତେ କର୍ଣ୍ଣକୁ ରାଜା ବୋଲନ୍ତି । ସଂଯୋଗ ଏ ଘେନି ସେ ଫୁଲଛତି ।
ଶାଙ୍କୋଳୀ ବାଳୀ ଝଲକା ସ୍ୱଭାବ । ସଦମ୍ଭ-ଜନ ମାନସକୁ ଦେବ ଯେ ।
ସାର ମଲ୍ଲୀକଢ଼ି ତହିଁ ଯେ ।
ସମାଧି ଋଷିର ମହୀଧର ଶୃଙ୍ଗ ଦମ୍ଭୋଳି ଭାଙ୍ଗିବା ପାଇଁ ଯେ ।୭।
ସାଞ୍ଜନ ହେବାରେ ଖଞ୍ଜନ ଆଖି । ସୁଗତି ଗତି ନୋହୁଅଛି ଲକ୍ଷି ।
ସୂତା ଲଗାଇଛି କି କୁତୂହଳ । ସାରିଣୀ ନିଶ୍ଚେ ସେ ଏ ଯୋଗୁଁ ଖେଳେ ଯେ ।
ସେହି ଏଣୁ ଉଦବେଗୀ ଯେ।
ସାରଙ୍ଗ ଡୋଳାର ପଲକ ପକ୍ଷ୍ମରେ ଅଠାକାଠି ଅଛି ଲାଗି ଯେ ।୮।
ସିନ୍ଧୁଫଳର ଦିବ୍ୟ ନାକଚଣା ସୂଚିକମ ରମ୍ୟ ମାଣିକ ଗୁଣା ।
ସେ ସକାଶୁଁ ନାସା ଅତି ଶୋଭିତ । ସଲକ୍ଷଣା ହେଉଅଛି ଏମନ୍ତ ସେ ।
ସପତ୍ନୀ ହିଂସାକୁ ତେଜି ଯେ ।
ସୋମକୋଳକୁ ଏକାବେଳେ ରୋହିଣୀ ଆରଦ୍ରା ଅଛନ୍ତି ଭଜି ଯେ ।୯।
ସର୍ଜିତ ଚିବୁକେ ଭ୍ରମରୀ ଚିତ୍ର । ସ୍ନେହୀ ଭୃଙ୍ଗ ଫଳେ ଏ ଉତପାତ ।
ସଞ୍ଚରିଛି ଯୁବା ପ୍ରଳୟ ପାଇ । ସଂଜ୍ଞାପତି କିବା ହିଙ୍ଗୁଳେ ସ୍ନାୟୀ ସେ ।
ସେ ରୂପେ ରୁଚିର ଦିଶେ ଯେ ।
ସୃକ୍ୱିଣୀ ଯାଏ ଅଧର ଜର ଜର ହେବାର ତାମ୍ବୁଳରସେ ଯେ ।୧୦।
ସୁନା ପ୍ରବାଳ କଣ୍ଠି କାଚମାଳା । ସାଗରଫଳ ଚାପସରି ମେଳା ।
ସେ ଘେନି କଣ୍ଠ ଅତି ମନୋରମ । ସଲମ୍ବିତ ପାଟଫୁଲି ଚରମ ଯେ ।
ସାର୍ଥ ଏହି ଦୃଷ୍ଟି ସିନା ଯେ ।
ସାଧି ମଙ୍ଗଳକୁମ୍ଭ ଗ୍ରୀବା କପୋତ କମ୍ବୁକୁ ବାନ୍ଧିଛି ବାନା ଯେ ।୧୧।
ସଂସାରେ ନାହିଁ ବୋଲି କରେ ତୁଲ୍ୟ । ସୁବିଚାରେ ଖଞ୍ଜିଅଛି ଅତୁଲ୍ୟ ।
ସଙ୍ଗ ହୋଇଛି ହେମରତ୍ନ ଚୁଡ଼ି । ସାଙ୍ଗ ହୋଇଛି ତାରା ବିଦ୍ୟୁ ଜଡ଼ି ସେ ।
ସମୁଦ୍ରି ଅଙ୍ଗୁଳି ପାଞ୍ଚେ ଯେ ।
ସୁଭୁଜରେ ତାଡ଼ ବିରାଜୁଅଛନ୍ତି ଜ୍ଞାନ ତାଡ଼ିବାକୁ ପାଞ୍ଚେ ଯେ ।୧୨।
ସଂସ୍ଥିତ କଲା କାଞ୍ଚଲା କୁଚରେ । ସାମନ୍ତ ଯୁବାରେ ହେବା ପାଞ୍ଚରେ ।
ସୁରଭିସଖା ଶତ୍ରୁପଣ ତେଜି । ସହାଶିବଙ୍କୁ ଇନ୍ଦୀବରେ ପୂଜି ।
ସମ୍ୟକ ବଚନ ଏହି ଯେ ।
ସପ୍ତବିଂଶତି ମୁକୁତା ମାଳା ଛଳେ ରୂପା ନାଗ ଅଛି ଦେଇ ଯେ ।୧୩।
-ଛଳ-
ସଂପୂର୍ଣ୍ଣ କଟୀସିଂହ ଅଛି ମଣ୍ଡି । ସପ୍ତକୀ ଘଣ୍ଟିରେ ସେ ନବଚଣ୍ଡୀ ।
ଷକାର ଭେଦ ମହୀଶ ଆକୁଳ । ସମଜ୍ଞା ରହିବ ମହୀମଣ୍ଡଳ ସେ ।
ସୁଗତି ବଶରେ ଚଳେ ଯେ ।
ସାନନ୍ଦ କରିବ ଈଶ ମାନସକୁ ରଣରଣରଣ ରୋଳେ ଯେ ।୧୪।
ସ୍ୱରେ କହୁଅଛି ଯାହା ନୂପୁର । ସମାକୁଳ କରିପାରେ ତ୍ରିପୁର ।
ସାଜିଣୀ ପାଦେ ସେ ବାଜିଣୀ ବଳା । ସେ କିମ୍ପା ପୁଣି ବୋଲାଇ ଅବଳା ଯେ ।
ସମେଳ ତହିଁ ହଂସକ ଯେ ।
ସୀମା ଛଡ଼ାଇ ଦେବାକୁ ଅଙ୍ଗ ଦେଶୁ ବିବେକକୁ ଡେଙ୍ଗୁରକ ଯେ ।୧୫।
ସୁନ୍ଦରୀ ସ୍ତନ ନିତମ୍ବରେ ଭାରି । ସହଜେ କ୍ଷୀଣମଧ୍ୟା କୃଶୋଦରୀ ।
ସଧୀରଗତି ଗର୍ଭାଳସୀ ହଂସୀ । ସର୍ବଦାରେ ଯେ ପ୍ରେମ ମଦାଳସୀ ଯେ ।
ସ୍ୱନିତ ଝୁଣ୍ଟିଆ ପାଦେ ଯେ ।
ସାବଧାନେ ଥାଉ ବନ୍ଧୁର ପଥଟି ବୋଲି ଡାକୁଅଛି ନାଦେ ଯେ ।୧୬।
ସାମ୍ୟ ପାଦତଳ ଜବାତୁରଙ୍ଗ । ସରୁ ଅଳତା ଚିତ୍ର ତହିଁ ସଙ୍ଗ ।
ସଦୃଶ ହେଲା ନାପିତୀଙ୍କି କେହି । ସେ ରଙ୍ଗ ଏ ରଙ୍ଗ ବ୍ୟକ୍ତରେ ରହି ସେ ।
ସମ୍ପାଦିଛି ଅଗ୍ନି ଦୁର୍ଗ ଯେ ।
ସମ୍ବନ୍ଧ କରିବ ଧୈର୍ଯ୍ୟ ପତଙ୍ଗକୁ ସରାଗ ଯୋଗରୁ ଆଗ ଯେ ।୧୭।
ସିନ୍ଦୁରୀ ଶାଢ଼ୀ ରଙ୍ଗେ ଅଛି ପିନ୍ଧି । ସଜାଡ଼ି ନିବିଡ଼ ନୀବୀକି ବାନ୍ଧି ।
ସ୍ୱର୍ଣ୍ଣପାଦପେ ଅନୁରାଗ ଲତା । ସ୍ୱଚ୍ଛନ୍ଦେ ଛନ୍ଦି ହୋଇଲା ଶୋଭିତା ଯେ ।
ସୁସଞ୍ଚ ଆଗକୁ କୁଞ୍ଚ ଯେ ।
ସୁର ଶିଖରୀରୁ ସ୍ରବେ ଗଇରିକ ରସ ଲଭିବାକୁ ପାଞ୍ଚ ଯେ ।୧୮।
ସୁବର୍ଣ୍ଣ ଜରୀରେ ପ୍ରଚ୍ଛଦ ପଟ । ସୁବେଣୀପିଧାନେ କି ଝଟ ଝଟ ।
ସ୍ୱଶୋଭା ଲୁଚାଇ ଲୋଡ଼ିଲା ଗୌରୀ । ସଦୟା ଜଗତ ରକ୍ଷାରେ କରି ସେ ।
ସୁକାନ୍ତି ତହିଁ ଉଦୟ ଯେ ।
ସ୍ପଟିକ ସମ୍ପୁଟକ ମଧ୍ୟୁ ପଦାର୍ଥ ଗୁପତ ନୋହିଲା ପ୍ରାୟ ଯେ ।୧୯।
-ତର୍କ-
ସହଜେ ସୁନ୍ଦରୀ ଶୋଭା କାନନ । ସିନ୍ଦୂର ତୃତୀୟେ ଅତିରଞ୍ଜନ ।
ସିଂହ ଏଣୀ ମୃଗ ଏ ତିନି ଜାତି । ସଘଟନ ତହିଁ ହୋଇଅଛନ୍ତି ସେ ।
ସେ ଲୋଭ ହେଉ ଉଚିତ ଯେ ।
ଶିକାରୀ ମଦନ ନିଚୋଳ ଜଳରେ କଲା କି ଜାଲ ଆବୃତ ଯେ ।୨୦।
ସାରାସାଳୟା ପ୍ରମୁଖ ନାରୀର । ସଙ୍ଗେ ସଙ୍ଗୀ ହୋଇ ସୁନ୍ଦରୀବର ।
ସୁରୁଚି ପ୍ରକାଶି ଦିଶେ ଏମନ୍ତ । ସୁଧା କିରଣ ତାରା ମଧ୍ୟସ୍ଥିତ ଯେ ।
ସୁହାସୀ ଏରୂପେ ଦିଶି ଯେ ।
ସଙ୍ଗତି ସଙ୍ଗତି ମରାଳେ ମିଶି କି ଏକ ରାଜହଂସ ଆସି କି ।୨୧।
-ରୂପକ-
ଶ୍ରୁତି ସରେ କରିଆସୁଁ ବିନୋଦ । ସ୍ୱନଛଳେ ଶୁଭେ ମଞ୍ଜିର ନାଦ ।
ସପକ୍ଷ ସମସ୍ତେ ଅଛନ୍ତି ହୋଇ । ସୁକ୍ରୀଡ଼ା କରିବେ ମାନସେ ରହି ସେ ।
ସମ୍ବଳ ବହିତ ସେହୁ ଯେ ।
ସହସ୍ର ଦଳ ବଦନେ ମହୋଜ୍ଜ୍ୱଳ ମୃଣାଳ ନାଳ ସୁବାହୁ ଯେ ।୨୨।
ସନ୍ନିଧେ ଯାଇଁ ହେଲେ ଅର୍ଜୁନର । ସେ ଶୋଭା ବସି ହରି ଜାନୁପର ।
ସ୍ମର ଶ୍ରୀକୃଷ୍ଣ ଦୁହେଁ ଏକାକୃତି । ସେ ରୂପେ ପୁଣି ବିଜୟର ମୂର୍ତ୍ତି ସେ ।
ଶ୍ରୁତି ଅଗୋଚର କଥା ଯେ ।
ସାଂଶୟିକ ହୋଇ ସକଳ କାମିନୀ ଅର୍ଘ୍ୟ ନ ଦେଲେ ସର୍ବଥା ଯେ ।୨୩।
ସାନୁଜ ବସେ ଜ୍ୟେଷ୍ଠ କୋଳେ ବୋଲି । ସବଶବଶୁ ନ ଜାଣିଲେ ବାଳୀ ।
ସ୍ୱକୀୟା ନାରୀ ନ ଚିହ୍ନି ବଲ୍ଲଭ । ଶୁଣିଅଛି କେହି ଏତେ ଦୁର୍ଲଭ ସେ ।
ସନ୍ଦେହ ହରି ଭାଙ୍ଗିଲେ ଯେ ।
ଶ୍ରୀକର ପଲ୍ଲବ ଅର୍ଜୁନ ଶିରରେ ଦେଇ ନେତ୍ର ଠାରି ଦେଲେ ଯେ ।୨୪।
ସାର୍ଦ୍ରଚିତ୍ତ ତାଙ୍କୁ ସୁଭଦ୍ରା ଚାହିଁ । ସୂକ୍ଷ୍ମ ପଲକ ତା ପଡ଼ିଲା ନାହିଁ ।
ସ୍ମିତହାସିନୀ ଲବଣୀ ପିତୁଳି । ସମୀପରେ ଧନଞ୍ଜୟର ମିଳି ସେ ।
ସର୍ବରୂପେ ତରଳିଲା ଯେ ।
ସକଳେ ଚପଳେ ଅର୍ଘ୍ୟ ଦେଲେ ଶିରେ ସେ କରେ ଧରି ରହିଲା ଯେ ।୨୫।
ଶୂନ୍ୟେ କାଗଜ ଚକି ଉଡ଼ୁଥାଇ । ସାକାଂକ୍ଷା ଯଥା ଜନ ଦୃଷ୍ଟି ତହିଁ ।
ସକାମେ ତଥା ଚାହୁଁ ବାଳାମଣି । ସୁଦାମ ଦାରିଦ୍ର୍ୟ ଭଞ୍ଜନ ଜାଣି ସେ ।
ସଲୋକ ଲୋଚନ ତାର ଯେ ।
ସତ୍ୱରେ ପ୍ରତିମା ଘଉଡ଼ି ପ୍ରତିମା ହେଲା ପୁଂସ ମନୋହର ଯେ ।୨୬।
-ଶ୍ଲେଷ-
ସୀତା ସହିତେ ଶିତ କଳେବର । ସଦା ପରମାନନ୍ଦ ସୁଖକର ।
ସିଦ୍ଧ ସେବନୀୟ ହରିତାମ୍ବର । ସେନାନୀ ବିନୟ ବଚନେ ସ୍ଥିର ସେ ।
ସ୍ମରେ ଚିତ୍ତ ଶିବ ରାମ ଯେ ।
ସପ୍ତବିଂଶ ପଦେ ଛାନ୍ଦ ଉପଇନ୍ଦ୍ର ଭଞ୍ଜ କହେ ମନୋରମ ଯେ ।୨୭।
ସାନୁମାନ ଉରଜା ଦନୁଜାରି ସାନୁଜା ଭାନୁ ତନୁଜାତିତ କେଶୀ ।
ସୂନଶାୟକବତ ନାୟକ ବିଲୋକିତ ବଶରେ ସୁରଶରେ ତ୍ରାସି ସେ ।
ସୁକୁମାରୀ । ସଭଳିତ ଚରଣ ହେଲା । ସର୍ବାଙ୍ଗେ ପୁଲକ ପୂରିଲା ।
ସ୍ୱପ୍ରିୟ ଦରଶନୁ ପ୍ରିୟକ ତୁଲ ତନୁ ପ୍ରିୟକ ଫୁଲପ୍ରାୟ ହେଲା ସେ ।୧।
-ରୂପକ-
ସେନେହ ବୀଜ ଓଘ ଗୋପ୍ୟରେ ଥିଲା ମେଘ ସୁନ୍ଦର ଦରଶନ ଜଳ ।
ସେଚନ ବଶେ କି ସେ ଅଙ୍କୁରିଲା ବିଶେଷେ ଶରୀର କେଦାରେ ଚପଳ ସେ ।
ସୁକୁମାରୀ । ସହଜରେ ସେ ସୁଖୀ ଅତି । ଶରବ୍ୟ କରି ରତିପତି ।
ଶାୟକ କୋଟି କୋଟି ବିନ୍ଧିଲା ଯାଇ ଫୁଟି ଅଙ୍ଗେ କି ଦିଶେ ପୁଙ୍ଖପନ୍ତି ସେ ।୨।
ସୁସୀମ କାଳ ସମ ବିରହ କୁଚହିମ ଗିରି ମଧ୍ୟରୁ ଅବତରି ।
ସ୍ୱେଦ ସୁଷାର ଆଗ ପଦ୍ମ ବୋଲିଣ ଯୋଗ ବଦନ କରେ ପଦେ କରି ସେ ।
ସୁକୁମାରୀ । ସକମ୍ପିତ ହୋଇଲା ପୁଣି । ସଙ୍ଗେ ତା ସତ୍ୟଭାମା ଜାଣି ।
ସ୍ଫୁଟେ ବୋଇଲେ ଧର ଏହାକୁ ନିଅରେ ଜନ୍ମି ଅଇଲା ଭଙ୍ଗବାଣୀ ସେ ।୩।
ସେ ଚାରୁ ବିମ୍ବାଧରୀ, ପୀବର ପୟୋଧରୀ ଧରିତ୍ରୀ ମଣ୍ଡନାକୁ ଧରି ।
ସଞ୍ଚାରୀ ଚାରି ନେଲେ ବିଚାରି ପଚାରିଲେ ଏମନ୍ତ ହେଉ କିମ୍ପାଁ ଗୋରୀରେ ।
ସୁକୁମାରୀ । ସଂଜ୍ଞା ବୁଡ଼ିଲା କିଛି ଦୂରେ । ସଖାଏ ଆଉଜାଇ ଉରେ ।
ସିଞ୍ଚିଲେ ଚଞ୍ଚଳରେ ସଲିଳ ଅଞ୍ଚଳରେ ବିଞ୍ଚିଲେ ସଧୀରେ ସଧୀରେ ସେ ।୪।
ସୁଚିତ୍ତେ କେଉଁ ସଖୀ ବାଳା ଶ୍ରୀହସ୍ତ ଦେଖି ବୋଇଲା ନାହିଁ ରୋଗ ଭୋଗ ।
ସୂଚକ ନାହିଁ ଭୂତ ଭ୍ରମର କିଛି ମିତ ଗ୍ରହ-ପୀଡ଼ାରୁ କି ଏ ଯୋଗରେ ।
ସହଚରୀ । ସୁମନାଏ ଶୁଣି ତା ଛଳି । ସାଭିଳାଷୀ ପୁରୁଷେ ବାଳୀ ।
ସଂକଳ୍ପ ଭବ ଶର କରିଛି ଏତେ ଦୂର ରକ୍ଷାବିଧାନ କର ଭାଳି ।୫।
-ଆଶ୍ରୟ-
ସଭୀତ ହେବ ଭଲେ ଏ ରୂପ ବେଶ କଲେ କନ୍ଦର୍ପ ଦର୍ପବନ୍ତ ହେଲେ ।
ସୋମକୁ ଚିରି ଅପଘନରେ ଘନେ ଲେପ କସ୍ତୁରୀ ଟୋପି ଦିଅ ଭାଲେ ରେ ।
ସହଚରୀ ସଜାଡ଼ି ବେଣୀ ଫେଇଜୁଡ଼ା । ସିନ୍ଧୁଆ ଶାଢ଼ୀ ଆଣି ଘୋଡ଼ା ।
ସୀମନ୍ତୀ ମୁକୁତାରେ ସ୍ୱଭାବେ ଅଛି ଶିରେ ମୃଣାଳ ଖଣ୍ଡ କରି ଲୋଡ଼ାରେ ।୬।
ସଚେତ ଏହିକାଳେ ବାଳାକୁ କେହୁ ବୋଲେ ମନନୟନକାରୀ ତୁ ତ ସିନ୍ଧି ହୃଦରେ ନାହିଁ ।
ସେ ପୁଣି ବନ୍ଦୀ ନୋହି କି କରି ଚୋରି କଲା ଚିତ୍ତରେ ।
ସୁକୁମାରୀ। ସଚରାଚରେ ତୋତେ ବଳି । ସରି କେ ନାହିଁ ରସଶାଳୀ ।
ସାକ୍ଷୀ ମୋର ଗିରକୁ ଅନା ତୋ ଉଦରକୁ ତ୍ରିବିଧିରେ ବନ୍ଧନ ବଳି ଯେ ।
ସୁମରଣ ଏମାନେ ନୋହିବାରୁ ତୋ ମନ ହୋଇଲା ସିନା ଏତେ ସରି ।
ସିନ୍ଧି ଭୂରୁ ଚାପରେ ଈକ୍ଷଣ ବାଣଡ଼ ଥରେ ବିନ୍ଧିଲୁ ନାହିଁ ଯତ୍ନ କରି ରେ ।
ସୁକୁମାରୀ । ସରନ୍ତା ଦମ୍ଭପଣ ତାର । ସହନ୍ତା କେହି କଳେବରେ ।
ସମ୍ଭାଳନ୍ତା କି ତେତେବେଳେ କବଚ କେତେ ଥିଲାକୁ ଶଙ୍କା ହେଲା ତୋରରେ ।୮।
ସଲଜ୍ଜବତୀ ଅତି ପ୍ରୀତିବତୀଯୁବତୀ ବତିଶ୍ରାର୍ଦ୍ଧ ବୟସୀ ଶୁଣି,
ସୁ-ହରିତାଳ ଦ୍ୟୁତି ବସନକୁ ଝଟତି ବଦନେ ଆଚ୍ଛାଦିଲା ଆଣି ସେ । ସୁକୁମାରୀ ।
ସେକାଳ ଶୋଭା କି ଆସିଲା । ସାମ୍ୟତା ଏମନ୍ତ ଦିଶିଲା ସେ ରସଦ ଉପରେ ।
ଶରଦ ସମୟରେ ସଂପୂର୍ଣ୍ଣ ଶଶୀ କି ପଶିଲାରେ ।୯।
ଶାନ୍ତି ଭଜିଲା କେତେ ତାପ ସେ ଶଙ୍କାଚିତ୍ତେ ଗୁରୁଜନ ଜାଣିବା ପାଇଁ ।
ସଜ୍ଜ୍ୱଳିତ ଅନଳ ଲଭି କିଛି ଶୀତଳ ଯେସନେ ଭସ୍ମାଚ୍ଛନ୍ନେ ରହି ସେ । ସୁକୁମାରୀ ।
ସାଷ୍ଟମ ହୋଇ ଯାଇ ପୁରେ । ଶୋଉ ଉତ୍ତମ ଶୟନରେ ।
ସତ୍ୟବାକ୍ୟ ପାଳିତ ସୁତ ରସାଳେ ସ୍ଥିର ହୋଇ ଡାକିଲା ଏ କାଳରେ ରେ ।୧୦।
-ଆଶ୍ରୟ-
ସେ କୁହୁଧ୍ଵନି ଘେନି କୁହୁକ ବିରହିଣୀ ଠାରେ କୁହୁ ରଜନୀ କଲା ।
ସ୍ୱରୂପ ତ ନ ମଣି ରମଣୀ ଶିରୋମଣି ଚମକି କ୍ଷିତିରେ ପଡ଼ିଲା ସେ ।
ସୁକୁମାରୀ । ସୁମନ୍ତ୍ର ମୁଖେ ଉଚ୍ଚାରିଲା । ସ୍ୱଜନେ ଏତେ ପଚାରିଲା ।
ସମ୍ବତ୍ସରରୁ କ୍ଷୟେ ପକ୍ଷୁଁ ତିଥି ପରାୟେ ଗ୍ରୀଷମ ଋତୁ କି ହୋଇଲା ରେ ।୧୧।
-ଛଳ-
ସାଳେ କର ଦେଖାଇ ବାଳା ଗୋଚର ପାଇଁ କେ ବୋଲେ ରେ କୋଳିଳ ଶୁଣ ।
ସହିଷ୍ଣୁ ହେବୁ କେହି ଖଗ ଅଗ୍ରଣୀ ତୁହି ମନ୍ଦସଙ୍ଗହିଁ ଅଛି ପୁଣ ରେ ।
ସହଚରୀ । ଶୁଣି ବୋଇଲା ଏକ ଶିର । ସନ୍ଦେଶ ଘେନି ହେମାଙ୍ଗୀର ।
ସଶୀଘ୍ରେ ଯାଅ ଆଜ ପାରିଲେ ମନସିକ ସୁନ୍ଦର ମନ ଛନ୍ନ କର ରେ ।୧୨।
ସୁମଲିଟ ଝଙ୍କାର ଫୁଲଧନୁ ଟଙ୍କାର ପ୍ରକାର ମଣି ସବିକାରେ ।
ସହୀକି ବେଗେ ତହିଁ ଭୀରୁ ଭାରୁକ ହୋଇ ଭିଡ଼ି ଯେ ଧଇଲା ଭୁଜରେ ସେ ।
ସହଚରୀ । ସ୍ନିଗ୍ଧେ କହେ ମଧୁପ ସେହି । ସରବେ ଅତିମତ ହୋଇ ।
ସୁମୁଖୀ ମାର କହେ, ଏତେ ପକ୍ୱତା ନୋହେ ସୁନାରୀ ଧ୍ୱଂସେ କାହିଁପାଇଁ ରେ ।୧୩।
ସୁଦନ୍ତୀ ହାର ନାଶଗଛ ରଖ ଗୋ ବସି ରହ ଇତ୍ୟାଦି ଯେତେ କହି ।
ସ୍ୱରଭଙ୍ଗ ବଶରେ ଏକବର୍ଣ୍ଣ ଉଚ୍ଚରେ ତଥାପି ଭଲା ହେଜୁଥାଇ ସେ ।
ସୁକୁମାରୀ । ସାର ଅନୁରାଗିଣୀ ସେହି । ସନ୍ଦର୍ଭ ରସ ଗର୍ଭ ହୋଇ ।
ସୁପୁରୁଷ ଭାଗବତ ଦିବ୍ୟଭାଷାଏ ଜାତ ଅନ୍ତର୍ଲିପିକା ପ୍ରାୟେ ହୋଇ ସେ ।୧୪।
ସାତ୍ତ୍ଵିକ ଚମତ୍କାର ଏହା ବିଚାର କର ଅଶ୍ରୁରେ ପୂର୍ଣ୍ଣକର ନେତ୍ର ।
ସହସ୍ରଦଳ ଜଳ ଜାତ ଜାଣି ସକଳ ମୁଁ ତାହା କଲି ବିପରୀତ ରେ ।
ସହଚରୀ । ସଂହରି ଲୋଡ଼ିଲେ ଜନମି । ସରିତ ପରା ଅତିକ୍ରମି ।
ସରୁ ଅଞ୍ଜନ ସେତୁ ଭଞ୍ଜନକୁ ସେ ହେତୁ ପଙ୍କିଳ କଲା ଚଣ୍ଡଭୂମି ରେ ।୧୫।
ସହାୟ ପାଇ ଶୋକ- ପ୍ରାବୃଟକ ବିବେକ ତଟ ବିଟପୀମାନ ଭାଙ୍ଗି ।
ଶାନ୍ତି ଭଜିବ ଏତେ ପ୍ରତୀତ ହୁଏ ଚିତ୍ତେ ହେଲେ ରସିକ ସିନ୍ଧୁ ସଙ୍ଗୀ ସେ ।
ସୁକୁମାରୀ । ସୁନ୍ଦର ପ୍ରାପତକୁ ଇଚ୍ଛି । ସୁଭାଗୀ ମନ ହେବା ଅଛି ।
ସ୍ୱୟଂ ଶମ୍ଭୁ ଏଘନ ସ୍ତନରେ ଅବିଚ୍ଛିନ ପାଣିଲାଗିକି ଆରମ୍ଭିଛି ରେ ।୧୬।
ସିଦ୍ଧାନ୍ତ ଏହି ବାଳା ବିହି ଯନ୍ତ୍ର ପିତୁଳା ବଶକରଣେ ନର ମନ ।
ସମୂଢ଼ ମାରଠାରେ ସେ ପୁଣି ପଡ଼ିବାରେ ଚଳନମାନ ହେଲା ଆନ ସେ ।
ସୁକୁମାରୀ । ସେ ରୂପେ ସ୍ତମ୍ଭବଶେ ବାଳୀ । ସ୍ୱକୀୟେ ନ ପାରଇ ଚଳି ।
ସୁଲକ୍ଷଣା ଚରଣ ଅରୁଣ ଅବ୍ଜ ଗୁଣ ଚକ୍ରବାଡ଼ ହେଲା ଦେହଳୀ ରେ ।୧୭।
ସୁଗାତ୍ରେ କଲା ମେଳ ମେଘ ହରିଣ ପୂର୍ଣ୍ଣବଳ ଅଗୁଣିକ ବଣିକ ପରି ।
ସୂତକୁ ହେମେ ମିଶାଇଲା ବିରହ ଦଶା ଦିବସ ଶଶୀ ଭ୍ରାନ୍ତି ଧରି ସେ ।
ସୁକୁମାରୀ । ସରିସା ଉରଜକୁ ହେବି । ଶମଶାନବାସୀଙ୍କି ସେବି ।
ସଂକଳ୍ପ ଥିଲା ଧନପତି ଶିଖରୀ ପୂର୍ଣ୍ଣକାମ ହେବାକୁ କିଏ ଛବି ରେ ।୧୮।
ସୁଧା ଅଶନ ବିଷ ବିଷମ ତାପ ବଶ ବସନ ଭାଙ୍ଗୁ ପରିଚାରୀ ।
ସଭ୍ରମୁମଣି ପାଶ ପାଶ ନ କରେ ଈଶ ଈଶ ସେ ଦ୍ୱିଅର୍ଥେ ସୁମରି ସେ ।
ସୁକୁମାରୀ । ସୁରତ୍ନ ହେମ ଅଳଙ୍କାରକୁ ସମୀପେ ଥୋଇଲେ ତାହାର ।
ସପ୍ତାର୍ଚ୍ଚିର ସଦୃଶ ଦୃଶ ହୁଅଇ ବିଷ ବିଷ ଧାରଣ ପରକାରେ ରେ ।୧୯।
ସଉଧ ସୁଭୁବନ ମନ ତା ଛନ୍ନ ଛନ୍ନ ଜଳଜଳଦ ଜଳ ଜାଣି ।
ସନ୍ତାପ ଏଡ଼େ ଦେହୀ ପରେ ତଣ୍ଡୁଳ ନେଇ ଦେଲେ ଭୁକ୍ତ ହେବ ସେକ୍ଷଣି ସେ ।
ସୁକୁମାରୀ । ସୁପାତି ଚିତ୍ତକୁ ନ ରଞ୍ଜେ । ଶୁଆଇଲେ ପଲ୍ଲବ ଶେଯେ ।
ସିଝିଯାଏ ସେ ବେଗେ ଯେତେକ ଅଙ୍ଗେ ଲାଗେ ପାକ ଶାକ ଦଶାକୁ ଭଜେ ସେ ।୨୦।
ଶୁଖିଯାଏ ଚନ୍ଦନ ଅଙ୍ଗେ କଲେ ଲେପନ ତପତ ଲୋହେ ପଙ୍କ ପ୍ରାୟେ ।
ଶାମୁକ ଦଗ୍ଧକରି ତହିଁ ଢାଳିଲେ ବାରି ସନ୍ତାପ ସିନା ଅତିହୁଏ ସେ ।
ସୁକୁମାରୀ । ସ୍ଫୋଟକ ଜାତ ତନୁ ଚାହିଁ । ସାଧ୍ୱସରେ ଏମନ୍ତ କହି ।
ସୁମନ୍ତ ମୁକନୀର ଈନ୍ଧନୁ ଅବତର ସଂଯୋଗ କିପାଁ କଲ ସହୀ ରେ ।୨୧।
ସହ୍ୟ କଥା ଏ ନୋହି ଗୁପତ ହେବ କେହି ବିଚାର କରି ଆଳୀମାନେ ।
ସନତ୍କୁମାର ସୁରବୈଦ୍ୟ ନେଲେ ସତ୍ୱର କହି ମୂଷଳୀ ସନ୍ନିଧାନେ ସେ ।
ସହଚରୀ । ସେ ଦେଖି ସୁଭଦ୍ରା ବିକାର । ସର୍ବଜ୍ଞ କହିଲେ ଏ ଗିର ।
ସେବ୍ୟ ଅର୍ଜ୍ଜୁନ କରସ୍ପରଶରେ ଏହାର ତାପ ହତଟି ଯତ୍ନକର ରେ ।୨୨।
ସମୀରଣରେ ଯାଇ ପଦ୍ମିନୀ ସଙ୍ଗପାଇ ଶ୍ରାନ୍ତେ କରୁ ମନ୍ଦଗମନ ।
ସୁହାଇଲା ନାହିଁ ସେ ବାଳାକୁ ଏହା ଭାଷେ ଆଜି କି ଜଳିଯାଏ ବନରେ ।
ସହଚରୀ । ସନ୍ନିପାତରେ ଜଳବତ । ସର୍ବାଙ୍ଗେ ବାଧଇ ମରୁତ ।
ସରୁ ରିଷ୍ଟମରୁ ସେ ବିପ୍ରବରହ ହରଷେ ଆଳୀ ବୋଇଲା ସେ ମରୁତ ରେ ।୨୩।
ସହିଛି ପବି ସେହି ଅହିମୁଖକୁ ଯାଇ ଜୀଇଁ ଆସେ ପ୍ରତିବାସରେ ।
ସଦାଗତି ବୋଲାଇ ରାମା କହିଲା ତହିଁ ମଧ୍ୟରେ ଅଛିଟି ଅକାରରେ ।
ସହଚରୀ । ସୂତ୍ର ବ୍ୟାକରଣରେ ଅଛି । ସୁବର୍ଣ୍ଣରେ ଦୀର୍ଘ ହୋଇଛି ।
ସାଧିବାକୁ ସେ ପଦ କେଉଁ କାମୀ କୋବିଦ ବିଚାରି ରଚନା କରିଛି ରେ ।୨୪।
-ଛଳ-
ସୁନୃତ ଏହି ଗିର ଏତ ଅପୂର୍ବ ସୁର ପଦ ବିହିତ ମାତା ଗୁଣୁ ।
ସୁଭକ୍ଷ ପରାପତେ ଛାଡ଼ିବ ଏ କେମନ୍ତେ ସନକ ଘେନି ବହେ ଏଣୁ ରେ ।
ସହଚରୀ! ସମସ୍ତେ ବୋଲନ୍ତି ଦକ୍ଷିଣ । ସଞ୍ଜୀବନୀ ଦ୍ୱିତୀୟ ଜାଣ ।
ସମ୍ମତି କଲି ମୁହିଁ ଯେ ଯେଉଁ ଦେଶେ ଥାଇ ସେ ନାମ କୁହାଇ ପ୍ରମାଣରେ ।୨୫।
-ଛଳ ଶ୍ଲେଷ-
ସାୟଂକାଳ ଉତ୍ତାରେ ଚନ୍ଦ୍ର ଦେଖି ନଭରେ ସୁମୁଖୀ ସଶଙ୍କ ହୋଇଲା ।
ସମ୍ବର୍ତ୍ତକାଳ ଯାଇ ପୁଣି କଳ୍ପେକ ହୋଇ ରାବଣ ଜନମ ହୋଇଲା ରେ ।
ସହଚରୀ! ସଜ ଏ ବାଳୀ ବିନାଶରେ । ସନ୍ତୋଷ ଦାତା ନିଶାଚରରେ ।
ସୁନୀତିସୁତ ପରଯାଏ ବିଶେଷ କର ଦୀପ୍ତି ଲାଗିଛି ସହଚରୀ ରେ ।୨୬।
-ଶ୍ଲେଷ-
ସହଚରୀଏ ଛଳେ କି କରିବ ସେ ବଳେ ରହିଲାଣି ରକ୍ଷ ବେଷ୍ଟନେ ।
ସ୍ୱାଭାବିକ ଏ କଥା ଯେତେ ଘେନୁ ସେ ବୃଥା ଏ ଦୋଷାକର ଘେନ ମନେ ରେ ।
ସହଚରୀ । ସୁବର୍ଣ୍ଣ ପଦ୍ମିନୀରୁ ହରେ । ସନ୍ଦିଗ୍ଧ ଦ୍ୱିଜଚକ୍ର କରେ ।
ସେବେ ନିତି ବାରୁଣୀ କପାଳୀ ସଙ୍ଗେ ପୁଣି ଜାତ ହୋଇଛି ସାଗରରେ ।୨୭।
ସୁବୁଧ ପୁଂସ ହରି ତମ ଖଣ୍ଡନ କରି ବିରହୀ ସୃଷ୍ଟି ବୁଡ଼ାଇଲା ।
ସନ୍ଧି ମଗଧପତି ଜରାର କେଉଁ କୀର୍ତ୍ତି ହେଲା ତାହାକୁ ବିସ୍ମରିଲା ରେ ।
ସହଚରୀ । ସମୁଦ୍ର ଗଣ୍ଡୂଷ କାଳରେ । ସମ୍ଭାଳି ହେଲା କେଉଁଠାରେ ।
ସରିଥାନ୍ତା ସମ୍ପତ୍ତି ପଡ଼ିଥିଲେ ଅଗସ୍ତି ଜଠର ବଡ଼ବା ଅନଳେ ରେ ।୨୮।
ସମରଥ ସକଳ ନାଶିବାକୁ ଦୁର୍ବଳ ଦେଖ ଏ ଜ୍ଞାନଶୂନ୍ୟ ହିମ ।
ସମୂଳେ ପଦ୍ମ ଦହେ ଏହା ମଣ୍ଡଳେ ରହେ ବିନାଶରେ ନୋହେ କ୍ଷମ ରେ ।
ସହଚରୀ । ସ୍ୱପାପେ ଏ କଳଙ୍କ ଭଜି । ସେ କଥା କେବେହେଁ ନ ତେଜି ।
ସୁମରଣ ଏ ନିତି ବିଯୋଗିନୀ ସନ୍ତତି କ୍ଷୟ କରଇ ଖୋଜି ଖୋଜିରେ ।୨୯।
ସୁରସିକ ଶଙ୍କର ରବି ଅନଳଶର ଏହା ସଙ୍ଗତେ ତୁଳାଇଲେ ।
ସବୁଁ ତୀକ୍ଷ୍ଣ ଏ ବୋଲି ସର୍ବ ଉର୍ଦ୍ଧ୍ୱରେ ଭାଳି ମଉଳି ନିକଟେ ବହିଲେ ରେ ।
ସହଚରୀ ! ସୁହା ନ ଗଲା ତେବେ ଭାଲେ । ଜଟାରେ ଜାହ୍ନବୀ ରଖିଲେ ।
ସପଦ୍ମଜିତାନନୀ ଅପର୍ଣ୍ଣାଙ୍କୁ ନ ଘେନି ଅର୍ଦ୍ଧାଙ୍ଗେ ଅଙ୍ଗୀକାର କଲେ ରେ ।୩୦।
ସ୍ଫୁଲିଙ୍ଗ ଏହା କରୁ ଶୀତଳ ହୋଇଲାରୁ ଚକୋର କରନ୍ତି ଅଶନ ।
ସହିବି କେହି ମୁହିଁ ମନୁଷ୍ୟ ଦେହ ବହି ଏହି କୃପୀଟ ଯୋନି ଘେନି ରେ ।
ସହଚରୀ! ସାହସ ଉଡ଼େ ମୋର ଚାହିଁ । ସାହା ହେବାକୁ ଆନ ନାହିଁ ।
ସୂର୍ଯ୍ୟେନ୍ଦୁ ସଙ୍ଗ-ତିଥି ମଣାଇ ଆଣ ଏଥି ସହସ୍ରେ ଦଣ୍ଡବତ କହିରେ ।୩୧।
ସଙ୍ଗୀତ ଶରଜାଳେ କାମ କଲା ସେ କାଳେ ଉଚ୍ଛନ୍ନେ ଭାଷିଲେ ଏମନ୍ତ ।
ସଙ୍ଗାତ ଶୁଣ ଏତେ ଶିବ ନ କଲେ ଚିତ୍ତେ ଦେହରୁ ବଳି ବୋଲି ପ୍ରେତ ରେ ।
ସହଚରୀ ! ସମ୍ମତ ହେଲେ ନ ଘେନଇ । ସକୋପ ସ୍ତିରୀ ବଧେ ଏହି ।
ସିଦ୍ଧିତାତର ଏତେ ମାତର ଏ ଜଗତେ ରଖିବ ମନକୁ ଆସଇ ରେ ।୩୨।
ସାରଙ୍ଗ ନାଭି ପରା ହୋଇଛି ଅତି ତ୍ୱରା ସ୍ୱସ୍ଥାନ ନାଶ କରିବାରେ ।
ଶମ୍ବରଠାରୁ ଜାଣ ବିଶ୍ୱାସଘାତୀ ପଣ ଜାତ ହୋଇଛି ଏ ସଂସାରେ ରେ ।
ସହଚରୀ! ଶୁଷିରେ ଶୟ ପରା ହୋଇ । ସୁହୃଦ ବିହୃଦ ଧ୍ୱଂସଇ ।
ସଂଶପ୍ତକ ଅନେକ ବିନ୍ଧି ଶରୀରଯାକ ପୂରେଇ ପଞ୍ଚଶରେ କେହି ରେ ।୩୩।
ସଖା କୁସୁମକାଳ ସେହି ହେବାରୁ ମେଳ ଯାଗ କରିବା ଆରମ୍ଭିଲା ।
ସହଜ ପରିପନ୍ଥୀ ଯୌବନ ଶିଳ୍ପୀ ଏଥି ଉରଜଯୁଗ କରିଥିଲା ରେ ।
ସହଚରୀ ! ସ୍ରୁବ ସ୍ରୁଚ ନାଭି ରୋମାଳୀ । ସଂଯୋଗୁଁ ସିନା ଅତି ଝଳି ।
ସଂସ୍ଥାପିତ ଦୁଃସହ ବିରହ ହୁତବହ ଉପରେ ସ୍ୱେଦ ଆଜ୍ୟ ଢାଳିଲେ ।୩୪।
ସଦସ୍ୟ ସମୀରଣ ପିକ ବ୍ରହ୍ମାବରଣ ଆଚାର୍ଯ୍ୟ ଦ୍ୱିଜରାଜ ଯହିଁ ।
ସୁମନଲିଟ ପ୍ରତିନିଧି ମୋ ଜୀବ ଏତି ପ୍ରୋକ୍ଷଣ ହେବ ପଶୁ ହୋଇ ରେ ।
ସହଚରୀ ! ସିତେ କହିଲା ଏ ହୋଇବ । ସ୍ୱାହା କରିବାକୁ ନୋହିବ ।
ସୁରବନ୍ତଦୟିତ ଯାଗକୁ କରି ହତ ରତି ଯଜ୍ଞପତ୍ନୀକି ନେବ ରେ ।୩୫।
ସ୍ପରଶ ଏହୁ ଗିର ପଶି କର୍ଣ୍ଣ କୁହର ଆଳୀଙ୍କି ଆଉଜି ବସିଲା ।
ସନାଳ ସବିକର ପଙ୍କଜ ବେନିକୁଚ ଉପରେ ସେ କାଳେ କେ ଦେଲାରେ ।
ସହଚରୀ ! ସେକ୍ଷଣି ତାହା ଅଙ୍ଗତାପେ ! ସେ ଦିଶେ କୁଟିଳ ସ୍ୱରୂପେ ।
ଶଙ୍କା ଚିତ୍ତେ ଏମନ୍ତ କହିଲେ କି ତୋ କାନ୍ତ କରଗ୍ରହ ହେବ ଏ ରୂପେ ରେ ।୩୬।
ସରାଗ ଏହିମତ ଜାତ ତା ଦୃଷ୍ଟିପାତ ହେବାରୁ ଉରଜ ନୀରଜେ ।
ସହିଲେ ଦୁଃଖ ଆଗ ପଛେ ପ୍ରାପତ ଭୋଗ ଭାଳି ରହିଲା କେତେ ଧୈର୍ଯ୍ୟ ସେ ।
ସୁକୁମାରୀ । ସପ୍ତତ୍ରିଂଶ ପଦ ଏ ଛାନ୍ଦ । ସୁଗ୍ରୀବ ମିତ୍ର ପଦଦ୍ୱନ୍ଦ ।
ସରୋରୁହ ମକରନ୍ଦ ପାନେ ଲଭି ଉପେନ୍ଦ୍ର ଭଞ୍ଜର ମାନସ ମିଳିନ୍ଦ ହେ ।୩୭।