ହାସ୍ୟସମ୍ରାଟ ଫତୁରାନନ୍ଦ

ଚଉଧୁରୀ ହେମକାନ୍ତ ମିଶ୍ର

ଉପୋଦ୍‌ଘାତ

ମାନନୀୟ ଫତୁ ଭାଇନା,

ତୁମକୁ ହରାଇ ଆଜି ଏତେ ଅସହାୟ ବୋଧ କରୁଛି ଯେ ସେକଥା କହିହେବ ନାହିଁ କି ବୁଝାଇପାରିବି ନାହିଁ । କେଜାଣି କେତେ କଥା ତୁମକୁ କହିବାର ଥିଲା, କହିବାର ସୁଯୋଗ ହେଲା ନାହିଁ, ପୁଣି କେତେ କଥା ତୁମଠାରୁ ଶୁଣିବାର ଇଚ୍ଛା ଥିଲା, ଶୁଣା ହେଲା ନାହିଁ । ଏତେ ଶୀଘ୍ର ତୁମକୁ ଆମେ ହରାଇବୁ, ଏକଥା ଭାବି ନଥିଲି । ଦୂର ପ୍ରବାସରେ ଥାଇ ତୁମର ଅସୁସ୍ଥତା କଥା ମଧ୍ୟ ମୁଁ ଜାଣି ପାରିଲ ନାହିଁ । ମନରେ ଆଶା ଥିଲା, ଆହୁରି ଅନେକ ଦିନ ପର୍ଯ୍ୟନ୍ତ ତୁମେ ସେଇମିତି ବସିଥାନ୍ତ ଓ ତୁମଠାରୁ ସାନ ଓ ନୂଆ ନୂଆ ଲେଖକମାନଙ୍କୁ ଉତ୍ସାହ ଓ ଆଶିଷ ବାଣ୍ଟୁଥାନ୍ତ । କିନ୍ତୁ ଇଚ୍ଛା ବା ଆଶା କ’ଣ ବିଧିର ବିଧାନକୁ ବଦଳାଇପାରେ ? ତୁମର ଦେହାନ୍ତ ହେବାର ଖବର ମଧ୍ୟ ମୋ ପାଖରେ ଡେରିରେ ପହଞ୍ଚିଲା । ସ୍ତମ୍ଭିତ ହୋଇ ବିଚାରି ବସିଲି, କାହା ପାଖକୁ ସମବେଦନା ଜଣାଇ ଚିଠି ଲେଖିବି ? ଅଧ୍ୟାପକ ଶ୍ୟାମସୁନ୍ଦର ମିଶ୍ର ବର୍ତ୍ତମାନ କେଉଁ କଲେଜରେ, ତାହା ବି ଜଣାନାହିଁ, ଆଉ କାହାରି ସଙ୍ଗେ ପରିଚୟ ନାହିଁ ।

 

ଶେଷଥର କଟକ ଯାଇଥିଲି ଓ ସସ୍ତ୍ରୀକ ଯାଇ ତୁମକୁ ପ୍ରଣାମ ଜଣାଇ ଥିଲି । ସେଦିନ ମଧ୍ୟ ତୁମେ ଅନର୍ଗଳ କେତେ ସ୍ୱପ୍ନ, କେତେ କଳ୍ପନାଜଳ୍ପନାର କଥା ସବୁ ଅତି ଉତ୍ସାହରେ କହିଯାଉଥିଲ, ତୁମର ପ୍ରିୟ ହାସ୍ୟବିକାଶ କେନ୍ଦ୍ର କଥା, ସରସ ସାହିତ୍ୟ ସମିତି କଥା, ଆହୁରି କେତେ ଏମିତିକା ଯୋଜନା କଥା-ଆଗାମୀ ଦଶବର୍ଷ ବି ସେଥିପାଇଁ ନଅଣ୍ଟ ହୋଇଥାନ୍ତା, ଏତେ ପରିବ୍ୟାପ୍ତ ଯାହାର ଭବିଷ୍ୟତର ଦୃଷ୍ଟି, ସେ କେମିତି ସବୁ ଅଧାବିଦା କରି ଛାଡି ଚାଲିଯିବ ?

 

କେତେ ସ୍ମୃତି ମନକୁ ଆସିଯାଉଛି, କେତେ ଦୃଶ୍ୟପଟ ଆଖିରେ ଭାସି ଉଠୁଛି । ତୁମର ସେହି ଗେରୁଆପିନ୍ଧା ଚେହେରାର ଅନାବିଳ ହାସ୍ୟମୟ ବ୍ୟକ୍ତିତ୍ୱଟି ମାନସପଟରେ ଫୁଟିଉଠୁଛି । ମନରେ କେତେ ଆଶା ଥିଲା, ପୁଣି କେବେ ଓଡ଼ିଶା ଗଲେ ସବୁଥର ପରି ତୁମ ପାଖରେ ଯାଇ ହାଜର ହୋଇଯିବି । ତୁମେ ସେଇ ‘ଡଗର’ କାର୍ଯ୍ୟାଳୟର କାଠ ପାର୍ଟିସନ ସେକଡେ ଖଟ ଉପରେ ଥିବ, କି ନିବିଷ୍ଟ ମନରେ ଟେବୁଲ ଉପରେ ଜୋରଦାର ଆଲୁଅ ଜଳାଇ କ’ଣ ଲେଖୁଥିବ, କେତେବେଳେ ପୁଣି ପଛ ବାରଣ୍ଡାରେ ବସି ପଖାଳ ଭାତ ଖାଉଥିବ । ମୁଁ କହିବି ଭାଇନା, ମୁଁ ହେମକାନ୍ତ ! ତୁମେ କୋଟିନିଧି ପାଇଲା ପରି ମୋତେ ଧରି କେଉଁଠି ବସାଇଦେବ, ଡାକିହାକି ସମସ୍ତଙ୍କୁ ବ୍ୟସ୍ତ କରି ପକାଇବ-କିଏ ସେଠେଇ ଅଛ, ଗଲୁ ଗଲୁ କପେ ଚାହା, ଆଉ ଦିଖଣ୍ଡ ଗୁଣ୍ଡିପାନ ଆଣିବୁରେ, ଯା’ମ ଜଲ୍‌ଦି...ଯେମିତି ମୋତେ ଚର୍ଚ୍ଚା ନକଲେ ତୁମର ଶାନ୍ତି ନାହିଁ । କଥାର ସୁଅ ଛୁଟିବ ତା’ପରେ । ଚିରରୁଗ୍‌ଣ ମଣିଷ, ଆଖିକୁ ପ୍ରାୟ କିଛି ଦିଶୁନାହିଁ, ତଥାପି କାହାକୁ ଡକାଇ ନିଜର ଖଣ୍ଡିଏ ବହି କଢ଼ାଇ, ତହିଁରେ ମୋର ନାମ ଲେଖି, ତଳେ ଦସ୍ତଖତ୍‌ କରି ଅତି ଆଦରରେ ମୋତେ ଉପହାର ଦେବ । ଯେତେ ସ୍ନେହ ତୁମଠାରୁ ପାଇଛି, କୌଣସି ଆତ୍ମୀୟଠାରୁ ତାହା ଉଣା ନୁହେଁ ଏବଂ ସେତକ ପାଇବା ଲାଗି ମୋର ଏତେ ଯୋଗ୍ୟତା ବି ନାହିଁ । ଏସବୁ ତୁମର ନିଜର ସ୍ନେହୀ ସ୍ୱଭାବ ଯୋଗୁରୁ ହୋଇଛି ନିଶ୍ଚୟ । ମୋ ଭଳି ଆହୁରି ଅନେକେ ତୁମର ସ୍ନେହାଶିଷ ପାଇଛନ୍ତି ନିଶ୍ଚୟ ।

 

ଖୁବ୍‌ ହେଲେ ବର୍ଷକୁ ଥରେ ଦିଥର ଆମର ଭେଟ ହେଉଥିଲା, କିନ୍ତୁ ଆମ ଭିତରେ ଏପରି ଏକ ନିବିଡ଼ ସଂପର୍କ ସୃଷ୍ଟି ହୋଇଯାଇଥିଲା ଯେ ତାହାର ଅନ୍ୟତ୍ର ତୁଳନା ଅସମ୍ଭବ । ବ୍ୟକ୍ତିଗତ କି ପାରିବାରିକ ବିଷୟ, କାହାରି ନିନ୍ଦା ବା ପ୍ରଶଂସା କି ସାହିତ୍ୟିକ ଗୋଷ୍ଠୀବାଦ ଆଦି ବିଷୟ କେବେ ହେଲେ ଆମର କଥାବାର୍ତ୍ତାର ସୀମା ମଧ୍ୟକୁ ଆସି ନାହିଁ । ଯେତେବେଳେ ‘ଡଗର’ ପତ୍ରିକାକୁ ଏକାକୀ ସମ୍ପୂର୍ଣ୍ଣ ନିଷ୍ଠା ଦେଇ ଚଳାଉଥିଲ, ତୁମର କାର୍ଯ୍ୟାଳୟକୁ ଗଲେ ଅନ୍ୟ ଏକ ଜଗତର ଫାଟକ ମଧ୍ୟକୁ ପ୍ରବେଶ କଲାପରି ଲାଗେ । ଅବିଶ୍ରାନ୍ତ ଚାଲିଥାଏ ତୁମର କର୍ମଯୋଗର ସାଧନା । କେତେ ଛଦ୍ମନାମରେ ତୁମେ ଲେଖୁଥିଲ ତାହାର ଇୟତ୍ତା ନାହିଁ । ମୋ ପାଖକୁ ଚିଠି ଆସେ, ତହିଁରେ ପୁଣି ବ୍ୟଙ୍ଗଚିତ୍ର ବି ରହିଥାଏ -‘ଫେରନ୍ତି ଡାକରେ ଲେଖା ନପଠାଇଲେ ମୁଁ ଏଇମିତି ମୁଣ୍ଡ କୋଡି ଦେବି !’ ସେହି ବୈରାଗୀ ସନ୍ନ୍ୟାସୀ ସମର୍ପିତ ଓ ସଦାକର୍ମଠ ରୂପଟି ହିଁ ଆଉ ସମସ୍ତଙ୍କ ମନରେ ଏକ ପ୍ରେରଣାର ଉତ୍ସ ହୋଇରହିଥିବ । ନିଷ୍ଫଳ ନା ଫଳରହିତ ସେ କର୍ମ, ନିଜର ଲାଭକ୍ଷତିର ବିଚାର ନାହିଁ । ବର୍ଷ ପରେ ବର୍ଷ ଅବଲୀଳା କ୍ରମେ ସମାହିତ ଓ ନିଷ୍ଠାପର ଭାବରେ ତୁମେ ତହିଁରେ ମଜ୍ଜି ରହିଥିଲ । ବେଳେ ବେଳେ ଅସହାୟ, ନିତାନ୍ତ ଏକାକୀ ବ୍ୟକ୍ତି ରୋଗଯନ୍ତ୍ରଣା ଭୋଗି ଭୋଗି ପଡିରହିଥିବାର ରୂପ ମଧ୍ୟ ତୁମର ଦେଖାଯାଇଛି । ତଥାପି ଅବିଚ୍ଛିନ୍ନ ତୈଳଧାର ପରି ତୁମର ସାଧନା ଅବ୍ୟାହତ ରହିଛି । ବେଳେ ବେଳେ ଭକ୍ତିର ପ୍ଳାବନରେ ତୁମେ ପ୍ରବାହିତ ହୋଇ ଜ୍ଞାନଠାରୁ ଦୂରେଇ ଯାଇଛ, ସମଗ୍ର ଚେତନା ମଧ୍ୟରେ ଭଗବାନ ସତ୍ୟସାଇ ବାବାଙ୍କର ଅଭୟଦାନରତ ମୂର୍ତ୍ତିଟି ଆରାଧ୍ୟ ହୋଇ ଉଭା ହୋଇରହିଛି । ପୁଣି ବେଳେ ବେଳେ ଆସିଛି ଅଖଣ୍ଡ ଜ୍ଞାନ ପିପାସାର ଜୁଆର-କେବଳ ବିଦ୍ୟା ଓ ଜ୍ଞାନର ସନ୍ଧାନ ଚାଲିଛି । ଅନ୍ୟମାନଙ୍କୁ ଡାକି ନେଇ ବହିଯାକ ପଢ଼ାଇ ଶୁଣିଛ, ନୋଟ ମଧ୍ୟ ଡାକିଛ ବା ନିଜେ କଷ୍ଟକରି ଲେଖିଛ । ପୃଥିବୀର ବଡ଼ ବଡ଼ ସାହିତ୍ୟିକ ସୃଷ୍ଟିଠାରୁ ଆରମ୍ଭ କରି ସମସାମୟିକ ଓଡ଼ିଆ ପତ୍ରପତ୍ରିକା ଆଦି ସବୁଯାକ ତୁମର ସେହି ପଠନ, ମନନ ଓ ମନ୍ଥନ ମଧ୍ୟକୁ ଆସିଯା’ନ୍ତି । ସେସବୁ ବିଷୟରେ ଗଭୀରତର ଆଲୋଚନା କରିବାର ସୁଯୋଗ କେଉଁଠାରେ ନାହିଁ, ତଦ୍‌ବିଦ୍‌ମାନେ ମଧ୍ୟ ସେ ଜାଗାକୁ ବେଶି ସଂଖ୍ୟାରେ ଆସିବେ ନାହଁ । ନିଜର ବୋଧଶକ୍ତି, ନିଜର ମେଧା ଦ୍ୱାରା ତୁମେ ସେସବୁ ଗ୍ରନ୍ଥର ଆସ୍ୱାଦ ପାଇଛ ଓ ନିଶାରେ ମାତିଯାଇଛ । ତୁମେ ବିଦ୍ୱାନ୍‌ ତ ନିଶ୍ଚୟ ଥିଲ, କିନ୍ତୁ ବିଦ୍ୟାଭିମାନୀ ନଥିଲ । ବରଂ ବୈଷ୍ଣବସୁଲଭ ବିନୟଟି ହିଁ ତୁମର ଭୂଷଣ ଥିଲା । ଏହିପରି ଭାବରେ ଜ୍ଞାନ, ଭକ୍ତି ଓ କର୍ମର ଏକ ତ୍ରିପୁଟୀ ତୁମର ଜୀବନ ମଧ୍ୟରେ ଦେଖିବାକୁ ମିଳୁଥିଲା ।

 

ସମସ୍ତେ ଜାଣନ୍ତି, ଫତୁରାନନ୍ଦ ନାନା ଦୁଃଖକଷ୍ଟ ଭିତରେ ଥାଇ ମଧ୍ୟ ହସି ହସି ଜୀବନ ବିତାଇଛନ୍ତି ଏବଂ ହସାଇ ଚାଲିଛନ୍ତି । ହସିବା ସମସ୍ତେ ଜାଣନ୍ତି, ହସାଇବାର ବିଦ୍ୟାଟି କିନ୍ତୁ ଖୁବ୍‌ କମ୍‌ ଲୋକ ଆୟତ୍ତ କରିଥାନ୍ତି । ଏଣେ ହସାଇବା ଲୋକର ଅନ୍ତରର ବେଦନା କଥା କ’ଣ କେହି ଜାଣିପାରେ ? ନା, ତୁମର ଗଭୀର ଅନ୍ତର୍ବେଦନା କଥା କେହି ଶୁଣିଛି ନା ତୁମେ ଶୁଣାଇଛ । ସେସବୁ ଖାଲି ଅନୁଭବ କରିବାର ବିଷୟ । ପର ଆଗରେ ଦୁଃଖର କାନ୍ଦଣା ଗାଇବାଠାରୁ ବୋକାମୀ ନାହିଁ । ତୁମ ମୁହଁରୁ ସେସବୁ କଥା କେବେ ଶୁଣିବାକୁ ମିଳେ ନା, କିନ୍ତୁ ଦୁଃଖଯନ୍ତ୍ରଣା, ଅଶେଷ ବେଦନା ତୁମ ଜୀବନରେ ପଦେ ପଦେ ଆସିଥିଲା । ତୁମେ ଅବଲୀଳାକ୍ରମେ ସେହି ଦୁଃଖମାନଙ୍କୁ ପାର ହୋଇଯାଇଛ । ହସି-ହସାଇ ସେଗୁଡ଼ିକୁ କ୍ଷୀଣରୁ କ୍ଷୀଣତର କରିଆସିଛ । ତଥାପି ତୁମର ସହନଶକ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । କୁଆଡ଼ୁ ତୁମ ଭିତରେ ଏତେ ସହିବାର କ୍ଷମତା ଆସୁଥିଲା ? ମନର ଦୃଢ଼ତା ଏବଂ ଅତି ସ୍ଥିରସଂକଳ୍ପ ଓ ବ୍ରତାଚାରଣର ଲକ୍ଷଣ ନଥିଲେ ବୋଧହୁଏ ଅନେକ ଆଗରୁ ତୁମେ ଭାଙ୍ଗି ପଡ଼ିଥାନ୍ତ । ତୁମର ଜୀବନଯାତ୍ରା ଗୋଟିଏ ତପସ୍ୟା ଭଳି ବୋଧ ହୋଇଥାଏ । ଶାରୀରିକ ଦୁର୍ଭୋଗ ଭିନ୍ନ ମାନସିକ ଆଘାତ ମଧ୍ୟ ତୁମ ପାଖରେ କିଛି ଊଣା ନଥିଲା । ଏସବୁ ଆଘାତ ମଧ୍ୟ ଅତି ଅପ୍ରତ୍ୟାଶିତ ସ୍ଥାନରେ ଅପ୍ରତ୍ୟାଶିତ ବ୍ୟକ୍ତିଙ୍କଠାରୁ ତୁମେ ପାଇଥିଲ । ସେସବୁକୁ ସହିଦେଇ ହଜମ କରିଦେବାକୁ ମଧ୍ୟ କିଛିକାଳ ପରେ ତୁମେ ସକ୍ଷମ ହୋଇଥିଲ ।

 

ତୁମର ସ୍ନେହୀ ମନର କଥା ଆଗରୁ ଉଲ୍ଲେଖ କରିଛି । ସେହି ସ୍ନେହାଶିଷର ଛାୟାତଳେ ତୁମର ଯେଉଁ କନିଷ୍ଠମାନେ ଆସ୍ତେ ଆସ୍ତେ ନିଜର ପରିଚୟ ଖୋଜି ପାଇଛନ୍ତି, ସେମାନଙ୍କ ଲାଗି ତୁମେ ଚିରକାଳର ପ୍ରେରଣାର ଉତ୍ସ ହୋଇ ରହିଥିବ । ତୁମକୁ ସେମାନେ ପ୍ରାଣଦେଇ ଭଲ ପାଇଛନ୍ତି । ସେହିପରି କେତେ ଜଣ ତରୁଣ ଲେଖକଙ୍କୁ ମୁଁ ଭେଟିଛି । ସେମାନଙ୍କର ନିଷ୍ଠା ଓ ଅକୁଣ୍ଠ ଭକ୍ତିଭାବ ମୋତେ ମୁଗ୍ଧ କରିଛି । ଅବଶ୍ୟ ତୁମ ମୁହଁ ଉପରେ କେହି ତୁମକୁ ପ୍ରଶଂସା କରି କିଛି କହିଲେ ତୁମେ ଗୋଟାଏ ମସ୍ତ ଭୁରୁଡ଼ି ପକାଇଥାନ୍ତ । ତୁମକୁ ପ୍ରସନ୍ନ କରିବାର ଏକମାତ୍ର ସୂତ୍ର ହେଉଛି ତୁମରି ପରି ହାସ୍ୟବ୍ୟଙ୍ଗ ଲାଗି ସମର୍ପିତ ହେବା ଓ ଜୀବନବ୍ୟାପୀ ଦୀକ୍ଷା ଗ୍ରହଣ କରିବା । ସେହି ତରୁଣ ବ୍ୟକ୍ତିମାନଙ୍କ ଛଡ଼ା ତୁମର ଅଗଣିତ ପାଠକ ତୁମର ସ୍ତାବକ ହୋଇଛନ୍ତି । କେତେକ ଗଣ୍ୟମାନ୍ୟ ସାହିତ୍ୟିକ, ଯଥା:- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପୀନାଥ ମହାନ୍ତି, କୁଞ୍ଜବିହାରୀ ଦାଶ, ରାଜକିଶୋର ରାୟ ଏବଂ ତୁମ ନିଜର ଚିରସହଚର ନିତ୍ୟାନନ୍ଦ ମହାପାତ୍ର ଆଦି ସେ ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

ତୁମର ସାଧନା ଯେ ଆଜି ହାସ୍ୟରସକୁ ଓଡ଼ିଆ ସାହିତ୍ୟର ସମସାମୟିକ ଯୁଗରେ ଏକ ସମ୍ମାନିତ ସ୍ଥାନରେ ସ୍ଥାପିତ କରିପାରିଛି ଏଥିରେ ଦ୍ୱିମତ ନାହିଁ । ତେବେ ଯେଉଁ ଭାବରେ ତୁମେ ସାହିତ୍ୟ ଜଗତକୁ ଆସିଥିଲ ତହିଁରେ ଏପରି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନଥିଲା । ସବୁ କଳାକାରଙ୍କ ଜୀବନୀ ଦେଖିଲେ ଜଣାପଡ଼େ, ଯାହା ହେବାର ହେଉ ହେଉ ହୋଇଯାଏ । ତୁମର ସେହି ହାସ୍ୟ ପ୍ରତିଭାଟି କଷ୍ଟାର୍ଜିତ ନୁହେଁ । ବରଂ ସ୍ୱଭାବସିଦ୍ଧ । ସେଭଳି ପ୍ରତିଭାର ମୂଲ୍ୟାୟନ ପୁଣି କିଏ କରିବ ? ଯେଉଁମାନେ ହାସ୍ୟରସର ସ୍ରଷ୍ଟା ନୁହନ୍ତି, ସେମାନେ କ’ଣ ହାସ୍ୟସୃଷ୍ଟିର ମୂଲ୍ୟାୟନ କରିପାରିବେ ? କେବଳ ହାସ୍ୟବ୍ୟଙ୍ଗ କାହିଁକି, ସମସ୍ତ ସୃଜନଶୀଳ ପ୍ରତିଭା କ୍ଷେତ୍ରରେ ଅଳ୍ପେ ବହୁତେ ଏହି ପରିବେଶ ଦେଖିବାକୁ ମିଳିବ ଆମ ଦେଶରେ । ଆମ ଦେଶର ଗୋଲାମୀ ସଭ୍ୟତା, ଅମଲାତାନ୍ତ୍ରିକ ମନୋବୃତ୍ତି ଓ ରିକ୍ତଚରିତ୍ର ଶାସକଗୋଷ୍ଠୀଙ୍କର ହସ୍ତକ୍ଷେପର ପ୍ରବୃତ୍ତି ଫଳରେ ସବୁ ସୃଜନଶୀଳନା ଯାଇ ରହିଲାଣି ଅସୃଜନଶୀଳଙ୍କ ଅକ୍ତିଆର ମଧ୍ୟରେ । ତେବେ ଏହା ମଧ୍ୟ କହିବାକୁ ପଡ଼ିବ ଯେ ହାସ୍ୟବ୍ୟଙ୍ଗ କ୍ଷେତ୍ରରେ ବିଚାରକମାନଙ୍କର ଘୋରତର ଅଭାବ ରହିଛି । ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ଅନ୍ତତଃ କିଛି କିଛି ସମାଲୋଚନା ନୀତି ଦେଖିବାକୁ ମିଳେ । ସାହିତ୍ୟର ପାଠ୍ୟକ୍ରମ ମଧ୍ୟରେ ଗଦ୍ୟ ଓ ପଦ୍ୟ ରଚନାର ଭଲମନ୍ଦ ଦେଖିବାର କେତେକ ବିଭାବ ପ୍ରତି ଛାତ୍ରମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଏ ଏବଂ ତୁଳନାତ୍ମକ ସାହିତ୍ୟ ମଧ୍ୟରେ ଅନ୍ୟ ଭାଷାଭାଷୀ ଓ ପୃଥିବୀର ଅନ୍ୟ ଦେଶମାନଙ୍କର ସୃଷ୍ଟିର ମୂଲ୍ୟାୟନ କରିବାର ରୀତି ରହିଥାଏ । ଏସବୁ ହାସ୍ୟରସ କ୍ଷେତ୍ରରେ ମୋଟେ ନାହିଁ । ସାହିତ୍ୟର ପାଠ୍ୟକ୍ରମ ମଧ୍ୟରେ ଏବଂ ସାହିତ୍ୟର ପାଠ୍ୟପୁସ୍ତକ ମଧ୍ୟରେ ହାସ୍ୟରସର ସ୍ଥାନ ନଗଣ୍ୟ । ଏପରିସ୍ଥଳେ ତୁମର ଜୀବନବ୍ୟାପୀ ସାଧନାର ଯେ ପ୍ରକୃତ ମୂଲ୍ୟାୟନ ହୋଇ ପାରିନାହିଁ ଏଥିରେ ବା ବୈଚିତ୍ର୍ୟ କେଉଁଠି ? ଗୋଟିଏ ଦୁଇଟି ସାହିତ୍ୟ ସଂସ୍ଥା ତଥାପି ତୁମକୁ ଦାମିକା ଶାଲ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି, ତାହା ବି କିଛି କମ୍‌ କଥା ନୁହେଁ । ରାଉରକେଲାରେ ତୁମକୁ ଯେଉଁ ବିପୁଳ ସମ୍ବର୍ଦ୍ଧନା ମିଳିଥିଲା, ଯେପରି ଭାବରେ ସାରା ସହରଟା ତୁମର ସମ୍ବର୍ଦ୍ଧନା ସଭାରେ ଆସି ଏକଜୁଟ ହୋଇଥିଲା, ଦଶହଜାର ଟଙ୍କାର ସଂଗ୍ରହ ଓ ତୁମକୁ ସର୍ବସମକ୍ଷରେ ଉପହାର ଦେବା, ଏସବୁ କେଇଜଣ ଓଡିଆଲେଖକଙ୍କୁ ବା ମିଳିଥାଏ ? ଆମର ତ ସାହିତ୍ୟିକ ଜଗତର ପୁରସ୍କାର ଆଦିର ସଂଖ୍ୟା ନଗଣ୍ୟ । ମୋର ଦୃଢ଼ ବିଶ୍ୱାସ, ତୁମେ ଯେବେ ଓଡ଼ିଶା ସାହିତ୍ୟ ଏକାଡେମୀର ବାର୍ଷିକ ପୁରସ୍କାର ପାଇଥାନ୍ତ ବା ଶାରଳା ପୁରସ୍କାର ପାଇଥାନ୍ତ ତଥାପି ତୁମର ସାହିତ୍ୟିକ ସ୍ୱୀକୃତି ସଂପୂର୍ଣ୍ଣ, ହୋଇ ପାରିନଥାନ୍ତା । ଫି ବର୍ଷ କେତେ କେତେ ଲୋକ ଏସବୁ ପୁରସ୍କାର ପାଇଥାନ୍ତି, ତାଙ୍କ ଭିତରୁ କେତେଜଣ ତୁମର ପ୍ରତିଭା ସାଙ୍ଗରେ ତୁଳନୀୟ ହେବେ ? ତୁମର ଆତ୍ମଜୀବନୀ ମଧ୍ୟରେ ଏବଂ ଠାଏ ଠାଏ ଅନ୍ୟ ରଚନା ମଧ୍ୟରେ ବି ଗୋଟିଏ ପ୍ରଚ୍ଛନ୍ନ ଅବଶୋଷ ଦେଖିବାକୁ ପାଉଁ, କିନ୍ତୁ ମୁଁ ଭଲ କରି ଜାଣେ ଯେ ତୁମେ ନିଜର ସମସାମୟିକ ମୂଲ୍ୟାୟନ ବିଷୟରେ ଏତେଟା ଚିନ୍ତିତ ନଥିଲ । ଏସବୁ ପୁରସ୍କାର ଭିତରେ ଯେଉଁ ଯୋଗାଡ଼ଯନ୍ତ୍ର, ଗୋଷ୍ଠୀବାଦ ଓ ପାରସ୍ପରିକ ପୃଷ୍ଠପୋଷକତା ରହିଥାଏ, ସେସବୁ ନେଇ କେତେ ବ୍ୟଙ୍ଗବିଦ୍ରୂପ କରିଛ, କେତେ ଥର ସେସବୁ ହାସ୍ୟକର ପ୍ରତିଷ୍ଠାର ଯୋଗାଡ଼କୁ ନେଇ ହସି ହସି ଗଡ଼ିଯାଇଛ, ସେସବୁ ମୋର ମନେ ଅଛି । ଦିନେ ସେକାଳର ଜଣେ ବିଖ୍ୟାତ ଲୋକପ୍ରିୟ ଉପନ୍ୟାସ ଲେଖକଙ୍କର ସ୍ୱୀକୃତି ଲାଳସା କଥା କହୁଥିଲ । ନଭେଲ୍‌ଟି ଛପା ହେବା ମାତ୍ରକେ ବହିରୁ ଖଣ୍ଡିଏ ଧରି ସାଇକେଲ ଚଢ଼ି ଭଦ୍ରଲୋକ ଯାଇ ମହିଳା ହଷ୍ଟେଲ ଆଗରେ ହାଜର । ଚୌକିଦାରକୁ ସ୍ଲିପ୍‌ ଦେଇ ସୁମିତାକୁ ଡକାଇ ପଠାଇଲେ । ଖବର ମିଳିଲା ସୁମିତା ନାହିଁ । ତା’ପରେ ସେ ଆଉ ଖଣ୍ଡିଏ କାଗଜରେ ମିନତୀର ନାଁ ଲେଖି ତାକୁ ଡକାଇଲେ । ସେ ଆସିବାରୁ ତା’ହାତରେ ବହି ଖଣ୍ଡିକ ଦେଇ କହିଲେ ଏଇଟି ପଢ଼ିବ । ତୁମେଇ ୟା’ର ନାୟିକା ! ଏ ଘଟଣାଟି କହି ହସି ହସି ପଚାରିବ-କହିଲ ଦେଖି, ପ୍ରକୃତ ନାୟିକାଟି କିଏ ? ତୁମେ କିଛି ଜାଣିନା, ଏ ଦୁହିଁଙ୍କ ଭିତରୁ କେହି ନୁହନ୍ତି, ପ୍ରକୃତ ନାୟିକାଟି ଥାଏ କଟକର ତୁଳସୀପୁର ଅଞ୍ଚଳରେ । ବୁଝିଲ ବାବୁ, ଅସଲ ଉପନ୍ୟାସ ହେଉଛି ରସିକ ଲୋକର କାମ, ଆଉ ରାମାଦାମାଶାମା କ’ଣ ଉପନ୍ୟାସ ଲେଖୁନାହାନ୍ତି କି ?

 

‘ଡଗର’ର ପୃଷ୍ଠା ଭିତରେ ତୁମର ଅଜସ୍ର ଛଦ୍ମ ନାମ ଦେଖିବାକୁ ମିଳେ । ତୁମେ ହିଁ ଦିନେ ତା’ର ତାଲିକା ଦେଇଥିଲ କୌଣସି ଏକ ସାକ୍ଷାତକାରର ଅବସରରେ । ଝାଡ଼ୁଦାର, ଥଣ୍ଟୁଆ ମୁନି, ଭାଣ୍ଡ ମୁନି, କବି ନାକ, କବି ଶୁଣ୍ଢ, ଦଣ୍ଡିମାଛ, ଶ୍ରୀନକଲିଆ, ଶ୍ରୀ ରାଧା ଗେରସ୍ତ ରାୟ, ଭୁଷ୍‌ପଣ୍ଡିତ, ଶ୍ରୀ ଲଘୁଆ, ଲଘୁପତନକ, ଶ୍ରୀ କପିରାଜ, ଛୁ ଛମ୍‌ ଛେ, ଶ୍ରୀ ଚଇଁପାଣି, ଗାତୁଆ ମୂଷା, ଶ୍ରୀ ଭେରେଣ୍ଡା, ଶ୍ରୀ ଛଡ଼ଉ କରଣ, ‘ଜଣେ ଆବୁଆ ବାବୁଜୀ ଭକ୍ତ’ ଏବଂ ‘ଇତିହାସ ଷଣ୍ଢ ।’ କେବଳ ‘ଫତୁରାନନ୍ଦ’ ନାମଟି ଏଥି ମଧ୍ୟରୁ ଅମର ହୋଇଗଲା । ଏହାର ଉତ୍ପତ୍ତି ବିଷୟରେ ତୁମେ କହିଛ-‘ମେଡିକାଲ ସ୍କୁଲରେ ପଢ଼ିଲା ବେଳେ ସଂଧ୍ୟା ବେଳେ କଟକ ଷ୍ଟେସନ୍‌ ପାଖରେ ଥିବା ଏକ ଇଭିନିଂ କ୍ଳବକୁ ମୁଁ ଅନ୍ୟାନ୍ୟ ସାଥୀମାନଙ୍କ ସହ ଯାଉଥିଲି । ଦିନେ ମୋର ଅନ୍ୟ ବନ୍ଧୁମାନେ କ୍ଳବକୁ ଆଗରୁ ଚାଲି ଯାଇଥିଲେ । ମୁଁ ପଛରେ ଯାଇ ପହଞ୍ଚିଲି । ସେ କ୍ଳବ୍‌ରେ ଜଣେ ବଙ୍ଗୀୟ ଭଦ୍ରବ୍ୟକ୍ତି ମୁଖାର୍ଜୀ ବାବୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ସାଧୁପୁରୁଷଙ୍କ ନାମରେ ନାମିତ କରୁଥିଲେ, ଯଥା:- ବିଶୁଦ୍ଧାନନ୍ଦ, ବିବେକାନନ୍ଦ, ପ୍ରଣବାନନ୍ଦ, ଯୋଗାନନ୍ଦ ଇତ୍ୟାଦି ଇତ୍ୟାଦି । ମୁଁ ପହଞ୍ଚିଲା ବେଳକୁ ତାଙ୍କର ସବୁ ‘ନନ୍ଦ’ ସରିଯାଇଥିଲା । ତେଣୁ ସେ ମୋତେ ଦେଖି କହି ଉଠିଲେ, ‘ତୁମେ ହୁଅ ଫତୁରାନନ୍ଦ’ ଯେତେବେଳେ ଲେଖା ଆରମ୍ଭ କଲି, ସେତେବେଳକୁ ସଂପୂର୍ଣ୍ଣ ଆତ୍ମବିଶ୍ୱାସ ଆସି ନଥାଏ । ଲୋକେ ପଢ଼ି, ନାପସନ୍ଦ କରି ମୋତେ ଗାଳି ଗୁଲଜ କରିପାରନ୍ତି ବୋଲି ମୋର ଭୟ ମଧ୍ୟ ଥିଲା । ତେଣୁ ଛଦ୍ମନାମରେ ଲେଖା ପ୍ରକାଶ କରିବି ବୋଲି ମନସ୍ଥ କଲି । ନାମ ଖୋଜୁ ଖୋଜୁ ‘ଫତୁରାନନ୍ଦ’ ନାମଟି ମନେ ପଡ଼ିଲା । ତାକୁହିଁ ମୁଁ ଅବଲମ୍ବନ କରି ମୋର ପ୍ରଥମ ଲେଖା ‘କବି ଲଢ଼େଇ’ ରେ ଫତୁରାନନ୍ଦ ନାମ ଦେଲି । ଆଜି ପର୍ଯ୍ୟନ୍ତ ସେହି ଫତୁରାନନ୍ଦ ନାମଟିକୁ ଜକଟି ମକଚି ଧରିଛି । ଏପରିକି ମୋର ପଟ୍ଟା, ପାଉତି, ଭୂସଂପତି କାଗଜପତ୍ରରେ ଫତୁରାନନ୍ଦ ନାମ ରହିଛି ।’ ଫତୁରାନନ୍ଦ ହିଁ ହୋଇଗଲା ତୁମର ଅସଲି ପରିଚୟ । ଅସଲ ନାମ ତୁମର କେଉଁଠି ଡୁବିଗଲା । ଡାକ୍ତର ରାମଚନ୍ଦ୍ର ମିଶ୍ର ପୁଣି କିଏ ସେ ? ସତେ କଣ ଶେଷ ପର୍ଯ୍ୟନ୍ତ ଡାକ୍ତର ରାମଚନ୍ଦ୍ର ମିଶ୍ର ତୁମ ଭିତରେ ବଞ୍ଚି ରହିଥିଲେ ? କାହାକୁ ତୁମେ ଚିକିତ୍ସା କରିଛ, କାହାର ରୋଗ ଭଲ କରିଛ ? ଡାକ୍ତରୀ ଶାସ୍ତ୍ରରୁ କ’ଣ କ’ଣ ଅଭିଜ୍ଞତା ଆଣିକରି ତୁମର ରଚନାକୁ ସମୃଦ୍ଧ କରିଛ ? ଯେବେ ସେପରି କିଛି କରିଥାଅ, ଅନ୍ତତଃ ମୋ ନଜରକୁ ଆସି ନାହିଁ । କାନ୍ତକବି ଲକ୍ଷ୍ମୀକାନ୍ତ ତାଙ୍କର ଅଜସ୍ର ଗୀତିକବିତା, ଗୀତିନାଟ୍ୟ, ଲାଳିକା, ନାଟକ, ଉପନ୍ୟାସ, ଗଳ୍ପ ଆଦି ବ୍ୟତୀତ ସ୍ୱାସ୍ଥ୍ୟରକ୍ଷା ବିଷୟକ ଖଣ୍ଡିଏ ପୁସ୍ତକ ଲେଖିଥିଲେ । ସେ ଚିକିତ୍ସକ ନଥିଲେ, କିନ୍ତୁ ଏହି ପୁସ୍ତକର ଯଥାର୍ଥତା ପ୍ରମାଣ କରିବାକୁ ଭୂମିକାରେ ଲେଖିଥିଲେ ଯେହେତୁ ସେ ନାନା ପ୍ରକାର ରୋଗ ଭୋଗିଛନ୍ତି, ସ୍ୱାସ୍ଥ୍ୟରକ୍ଷାର ଆବଶ୍ୟକତା କଥା ସେ ବେଶ୍ ହୃଦୟଙ୍ଗମ କରିଛନ୍ତି ତେଣୁ ଏପରି ଏକ ପୁସ୍ତକର ଉପାଦେୟତା ରହିଛି । ସେପରି ଇଚ୍ଛା ତୁମଠାରେ ଜାତ ହୋଇନାହିଁ । ତୁମେ କେବଳ କହିଲ, ‘ଏମ୍‌.ଏ. ହେବାକୁ ପ୍ରବଳ କଣ୍ଡୁ ଜାତ ହେଉଛି । ଓଡ଼ିଆରେ ଏମ.ଏ. ଦିଅନ୍ତି ।’ ତାହାହିଁ ହୋଇଥିଲା । ପୁଣି ସେହି ଫତୁରାନନ୍ଦ ନାମଟିକୁ ଫେରିଯିବା । ‘ଫତୁର’ମାନେ ତ ସର୍ବସ୍ୱାନ୍ତ, ନିର୍ଦ୍ଧନ । ତୁମେ ଯେ ପ୍ରକୃତରେ ଫତୁର ହୋଇଯାଇଥିଲ । ‘ଡଗର’ ପତ୍ରିକା ପାଇଁ ତୁମର ସବୁ ସୁଖସ୍ୱାଚ୍ଛନ୍ଦ୍ୟ ବଳି ପଡିଲେ । ତୁମେ କହିଛ, ‘ଗୋସ ବୁଢ଼ାବାପା, ବୁଢ଼ାବାପା ଯାହା କମେଇଥିଲେ, ବାପା, କକେଇ ତାକୁ ବଜାୟ ରଖିଲେ । ସେମାନଙ୍କ ଅନ୍ତେ ସବୁ ସମ୍ପତ୍ତି ଖିନ୍‌ ଖରାପ ହୋଇଗଲା । ଜମିବାଡ଼ି ଫୁର୍‌ର୍‌ ଫାର୍‌ର୍ ହୋଇ କୁଆଡ଼େ କେମିତି ଉଡ଼ିଗଲା, ଜଣା ପଡ଼ିଲା ନାହିଁ । ମୋ ହାତରେ ଯେତକ ଟଙ୍କା ପଡ଼ିଲା, ସେଥିରେ ମୁଁ ସାହିତ୍ୟର ଜୁଆ ଖେଳିଦେଲି । ସବୁ ଜୁଆରେ ଚାଲିଗଲା । ‘ଡଗର’ର ଘାଟି ସମୟ ପହଞ୍ଚିଗଲେ ମୁଁ ଜୁଆଖେଳ ଆରମ୍ଭ କରିଦିଏ।’ ଫତୁର୍‌ ହେବାକୁ ଆଉ ବିଳମ୍ବ କୁଆଡ଼ୁ ହେବ ? ଯାହାକୁ ଫତୁର ହେବାର ଆନନ୍ଦ ଘାରିଛି, ତାକୁ ବା ରଖି ପାରିବ କିଏ ସେ ? ପୁଣି ନିଜେ ଫତୁର୍‌ ହୋଇ ଅନ୍ୟମାନଙ୍କୁ ଅଶେଷ ଆନନ୍ଦ ଦେବାର ନିଶାଟା ଆହୁରି ବେଶି ବାନ୍ଧି ରଖିଛି । ଶୈଶବ ଓ ଛାତ୍ରଜୀବନ ପରେ ଆଉ ତୁମେ ସୁଖର ମୁଖ ଦର୍ଶନ କରିନାହିଁ । ସୁଖ ଯେପରି ତୁମଠାରୁ ପଳେଇ ପଳେଇ ବୁଲିଛି । ସଂଗ୍ରାମରତ, ଲଢ଼ୁଆବୀର ଭଳି ଦୁଃଖ ଯନ୍ତ୍ରଣା, ନାନା ପ୍ରକାରର ସମସ୍ୟାକୁ ଅତିକ୍ରମ କରିବାକୁ ଚେଷ୍ଟା କରିଛ, ଗୋଟିକୁ ଡେଇଁଲେ ଆରେକ ହାଜର ହୋଇଛି । ବେଳେବେଳେ ଈଶ୍ୱରଙ୍କ ଉପରେ ତୁମର ଅଭିମାନ ଜାଗ୍ରତ ହୋଇଛି । ତୁମେ ଠାଏ ଲେଖିଛ, ‘ପଞ୍ଚଷଠି ବର୍ଷ କାଳ ଚାଲି ଚାଲି ଆସିଥିବା ବାଟକୁ ବେଳେ ବେଳେ ଫେରି ଚାହିଁଦିଏ-ଭାବେ, ଏ ଲକ୍ଷ୍ମୀଛଡ଼ା ଜୀବନଟା ବରବାଦ୍‌ ହୋଇଗଲା । ହେ ଭଗବାନ୍‌ ! ଏତେ ସମ୍ଭାବନା ଦେଇଥିଲ, ଏ କଅଣ କଲ ? ମୁଁ କଅଣ ହୋଇଥାନ୍ତି, କଅଣ ହୋଇଗଲି ? ଶେଷରେ ଅନ୍ଧ କରିଦେଲ । ମନ ଭିତରୁ ଜଣେ କିଏ ଉତ୍ତର ଦିଏ, ସେଇଟା ମୋର ଆରାଧ୍ୟ ପ୍ରଭୁ ସତ୍ୟସାଇବାବାଙ୍କ ପାଟିପରି ଜଣାଯାଏ-ଉତ୍ତର ଆସେ-‘ତୁ ଆଖୁ କିଆରୀ ଭିତରେ ଥିବା ଏକ ଭାଲୁ । କୋଉ ଆଖୁ ଖାଇବୁ ଠିକ୍‌ କରିପାରୁନଥିଲୁ । ମୁଁ ଗୋଟିଏ ଆଖୁ ଛାଡି ଆଉ ସବୁ ଆଖୁ ନେଇଯାଇଛି । ତୁ ସେଇ ଗୋଟିକ ଖାଉଥା । ଠିକ୍‌ କଥା ମୁଁ ସେଇ ଆଖୁଟି ଏବେ ଖାଉଛି । ଆଉ ଦୁଃଖ ନାହିଁ ।’

 

ଫତୁ ଭାଇନା, ତୁମର ସେଇ ଗୋଟିକ ଆଖୁ ଭିତରେ ଏତେ ଅସରନ୍ତି ରସର ପସରା ଥିଲା, ତୁମେ ତାକୁ ବାହାର କରି ସମସ୍ତଙ୍କୁ ଆଜୀବନ ବାଣ୍ଟି ଚାଲିଛ, ପୁଣି ସେହି ରସର ବଳରେ ନିଜର ସବୁ ଦୁଃଖକୁ କ୍ଷୀଣ କରିପାରିଛ, ଏତକ ଭାବିଲେ ଆଜି ବେଶ୍‌ ଆଶ୍ଚର୍ଯ୍ୟଚକିତ ହେବାକୁ ହୁଏ । ଅବିଶ୍ରାନ୍ତ ତୁମର କଲମ, ଅବିରତ ତୁମର ତପସ୍ୟା । ତୁମେ କ’ଣ ହୋଇଥାନ୍ତ, କ’ଣ ହୋଇଗଲ । ସେକଥା ଆଜି ଭାବିଲେ ତୁମର ପଞ୍ଚଷଠି ବର୍ଷ ବୟସର ସେହି ପ୍ରଶ୍ନଟି ବଡ଼ ମଳିନ ଦେଖାଯାଏ । ରବୀନ୍ଦ୍ରନାଥ ଠାକୁରଙ୍କର ଭାଇ ପ୍ରଥମ ଆଇ.ସି.ଏସ୍‌ ହୋଇଥିଲେ । ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା । ସେ କୁଳର ନାଁ ରଖିଲେ ବୋଲି ସମସ୍ତେ କହିଲେ । ରବୀନ୍ଦ୍ରନାଥ ଇସ୍କୁଲ ଛାଡ଼ି ଦେଇଥିଲେ । ତାଙ୍କର ନିନ୍ଦା ହେବା ସ୍ୱାଭାବିକ ଥିଲା । ଏଇଟା କିଛି ହେବନାହିଁ ବୋଲି ଆକ୍ଷେପର ମଧ୍ୟ ଅଭାବ ନଥିଲା । ରବୀନ୍ଦ୍ରନାଥ କବି ହେଲେ । ବିଶ୍ୱବିଖ୍ୟାତ ହେଲେ । ନୋବେଲ୍‌ ପୁରସ୍କାର ପାଇଲେ । ଭାରତକୁ ବିଶ୍ୱଦରବାରରେ ଅଶେଷ ଗୌରବ ପ୍ରଦାନ କଲେ । ତାଙ୍କ ଭାଇଙ୍କ ନାଁ କଣ ଥିଲା ଆଜି ଆଉ କାହାରି ସ୍ମରଣ ନାହିଁ । ତୁମେ ଯେବେ ଡାକ୍ତର ହୋଇଥାନ୍ତ, ଡାକ୍ତରଖାନାରେ ରୋଗୀମାନେ ତୁମର ପ୍ରଶଂସା କରୁଥାନ୍ତେ, କି କେଉଁଠି କ୍ଳିନିକ୍‌ଟିଏ କରି ବସିଥାନ୍ତ, ଲୋକେ ଧାଡ଼ି ଲଗାଇ ତୁମ ଲାଗି ଅପେକ୍ଷା କରିଥାନ୍ତେ । ଦିନେ ତୁମଠାରୁ ବଡ଼ ଡାକ୍ତର ଉଦିତ ହୋଇ ତୁମକୁ ଭୁଲାଇ ଦେଇଥାନ୍ତେ ହୁଏତ ! ତେବେ କ’ଣ ତୁମର ଜୀବନଟା ସାର୍ଥକ ହୋଇଯାଇଥାନ୍ତା ? ଆଜି ତୁମର ଯେଉଁ ସମ୍ମାନିତ ସ୍ଥାନଟି ଏଇ ଓଡ଼ିଆ ଜାତିର ହୃଦୟ ମଧ୍ୟରେ ସଜ୍ଜିତ ହୋଇ ରହିଛି, ତୁମେ ନିଜର ରଚନା ଜଗତରେ ଯେପରି ଅଦ୍ୱିତୀୟ, ଅପ୍ରତିଦ୍ୱନ୍ଦୀ ହୋଇ ରହିଯାଇଛି, ସେହି ସମ୍ଭାବନାଟି ତ ତୁମର ସବୁ ଦୁଃଖଯନ୍ତ୍ରଣାର ଆଢ଼ୁଆଳରେ ଲୁଚି ରହିଥିବା ସେକଥା ତ ଭୁଲିଗଲେ ଚଳିବ ନାହିଁ । ଦୁଃଖ ମଧ୍ୟରେ ତୁମକୁ ହସୁଥିବାର କଳ୍ପନା କଲେ କିପରି ମନକୁ ଆସେ ପଙ୍କ ମଧ୍ୟରେ ହଂସ ପରି । ହଂସର ଚିକ୍କଣ ଧଳା ପର ଉପରେ ପଙ୍କର କଳଙ୍କ ଲାଗେନା । ତୁମେ ସେହି ରାଜହଂସ ପରି ଦୁଃଖର ପଙ୍କ ମଧ୍ୟରେ ସଦା ସମୁଜ୍ଜ୍ୱଳ ରହିଲ । ତୁମ ଉପରେ ପଡ଼ିଲା ସରସ୍ୱତୀଙ୍କର ଆସନ । ତୁମର ରହିବାର ସ୍ଥାନଟି ହୋଇଗଲା ଏକ ସାରସ୍ୱତ ପୀଠ । ଶୟନେ ସ୍ୱପନେ ଜାଗରଣେ ଅହରହ କେବଳ ସେଇ ସାରସ୍ୱତ ସାଧନାରେ ହିଁ ବ୍ରତୀ ରହିଗଲ, ଆଉ କିଛି ତୁମର ମନକୁ ସ୍ପର୍ଶ କଲାନାହିଁ ।

 

ଯେଉଁ ଅଗଣିତ ସମ୍ଭାର ତୁମେ ସୃଷ୍ଟି କରିଗଲ ତହିଁ ମଧ୍ୟରେ କେବଳ ଗଳ୍ପ ନୁହେଁ, କବିତା, ନାଟକ, ରମ୍ୟ ରଚନା ଏବଂ ଅନୁବାଦ ମଧ୍ୟ ରହିଛି । ହାସ୍ୟ ଭିନ୍ନ ତୁମର ରଚନାର ସରହଦ ମଧ୍ୟରେ ଅନେକ ଗମ୍ଭୀର ଭାବର କ୍ଷୁଦ୍ରଗଳ୍ପ ରହିଛି, ଏକଥା ତୁମର ସାଧାରଣ ପାଠକ ହୁଏତ ଖବର ରଖିନଥିବେ । ପ୍ରତିଶୋଧ, ପ୍ରାୟଶ୍ଚିତ୍ତ, ଆଇନ୍‌, ମୂର୍ଖ ପ୍ରଭୃତି ଏହି ପର୍ଯ୍ୟାୟର ଗଳ୍ପ । ମରୁନିର୍ଝର, ସ୍ୱାଧୀନତା ଘୁସ୍‌ ଆଦି ଗଳ୍ପ ପୁଣି କରୁଣ ରସର ପର୍ଯ୍ୟାୟଭୁକ୍ତ । କେବଳ ଓଡ଼ିଆ ସାହିତ୍ୟ କାହିଁକି, ପୃଥିବୀର କୌଣସି ଭାଷାରେ ଏପରି ପ୍ରତିଭା ବିରଳ ଯେକି କଲମ ମୁନରେ ହସ-କାନ୍ଦର ଦୁନିଆଁକୁ ସମାନ ଦକ୍ଷତା ସହ ଫୁଟାଇ ପାରିଛନ୍ତି । ଆମର ପୌରାଣିକ ଶାସ୍ତ୍ରୀୟ ସଂସ୍କୃତି ସଜ୍ଜନର ଯେଉଁ କଳ୍ପନା ଦେଖାଇଛନ୍ତି, ତହିଁରେ ଅଛି ଯେ ସଜ୍ଜନର ହୃଦୟ ଲହୁଣୀ ପରି, ଅଳ୍ପକେ ତରଳିଯାଏ । ତୁମର ସମ୍ବେଦନଶୀଳ ମନଟି ପଶୁପକ୍ଷୀଙ୍କ ଦୁଃଖରେ ମଧ୍ୟ ତରଳିଯାଇଛି । ମୁକ୍ତ ବିହଙ୍ଗକୁ ପଞ୍ଜୁରୀରେ ବନ୍ଦୀକରି ପରାଧୀନତାର ଶୃଙ୍ଖଳ ପିନ୍ଧାଇ ଦେଲେ ତାହାର ଗ୍ଳାନିବୋଧ ଓ ଦୁଃଖକୁ ତୁମର ‘ମୁକ୍ତି ଶୀର୍ଷକ ଗଳ୍ପରେ ମର୍ମସ୍ପଶୀ କରି ଫୁଟାଇ ପାରିଛ ।

 

ନିନ୍ଦା ବା ପ୍ରଶଂସା ତୁମକୁ ବିଚଳିତ କରି ପାରିନାହିଁ । ତୁମେ ଠାଏ ଲେଖିଥିଲ, ‘ଅଧେ ଉପରକୁ ଟେକିଲେ ଅଧେ ତଳକୁ ଟାଣିଛନ୍ତି । ମୁଁ ଯେଉଁଠି ସେଇଠି ବସିଛି । ଏ ଟେକା-ଟଣା ମୋ କଲମରୁ ଠିକ୍‌ ବାଟରେ ନେଉଛି ବୋଲି ମୁଁ ଅନୁଭବ କରୁଛି । ପ୍ରଶଂସକ, ନିନ୍ଦୁକ ଉଭୟେ ମୋର ହିତକାରୀ । ସାହିତ୍ୟ ସମୁଦ୍ରରେ ମୋ ଡଙ୍ଗାଟି ଆଗେଇ ଚାଲିଛି । ପ୍ରଶଂସକମାନେ ହେଲେ ମୋର ଆହୁଲା ଆଉ ନିନ୍ଦୁକମାନେ ହେଲେ ମଙ୍ଗୁଆଳ । ଦୁହିଁଙ୍କ ମଧ୍ୟରୁ ଗୋଟିକର ଅଭାବ ହେଲେ ଡଙ୍ଗା କେବଳ ଭାସିବା କିମ୍ବା ବୁଡ଼ିବାହିଁ ସାରହେବ ।’ ସବୁ ନିନ୍ଦୁକ ଓ ପ୍ରଶଂସକଙ୍କୁ ଆପଣାର ହିତକାରୀ ମନେ କରିବାର ଦୁର୍ଲଭ ସଦ୍‌ଗୁଣଟି କ’ଣ ତୁମ ପରି ଆଉ କାହାରିଠାରେ ଅଛି ନା କେବେ ରହିଥିଲା ? ସାମାନ୍ୟ ସମାଲୋଚନା ପାଇଲେ ରାଗରେ ଅଗ୍ନିଶର୍ମା ହୋଇଯାଉଥିବା ବିଖ୍ୟାତ ସାହିତ୍ୟିକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଆମେ ଅନେକ ପରିମାଣରେ ନାନା ସ୍ଥାନରେ ଦେଖୁଛୁ । ତୁମ ପରି ନିର୍ମୋହୀ ବିଦେହମୁକ୍ତ ହୋଇ ବିଚରଣ କରୁଥିବା ବିରକ୍ତ, ବୈରାଗୀ, ତପସ୍ୱୀ ବ୍ୟକ୍ତି ବୋଧହୁଏ ଆଉ କେଉଁଠାରେ ମିଳିବେ ନାହିଁ । କିନ୍ତୁ ସେହି ବିରଳ ପ୍ରତିଭା ମଧ୍ୟରେ ତୁମର ବୈଷ୍ଣବୀୟ ଦୀନଭାବ ଯେ ଆହୁରି ହୃଦୟସ୍ପର୍ଶୀ ହୋଇପାରେ, ତାହା ତୁମର ସ୍ତାବକ ମାତ୍ରେ ବୋଧେ କରିଥିବେ । ଏହିପରି ଅନେକ ସଦ୍‌ଗୁଣର ପରିଚୟ ତୁମ ସଙ୍ଗେ ମିଶିଲେ ମିଳିପାରେ । ଏସବୁ ତୁମର କନିଷ୍ଠମାନଙ୍କୁ ନିଶ୍ଚୟ ଉଦ୍‌ବୁଦ୍ଧ ଓ ପ୍ରଭାବିତ କରୁଥିବ । ଯେତେବେଳେ ତୁମେ ‘ଡଗର’ର ପରିଚାଳନା କରୁଥିଲ, ସେହି ପତ୍ରିକାକୁ ସର୍ବଶ୍ରେଷ୍ଠ କରିବାର ଦୃଢ଼ ସଂକଳ୍ପ ହିଁ ତୁମର ମୂଳ ପ୍ରେରଣା ଥିଲା, ତହିଁରୁ କିଛି ପାଇବାର ଆଶା ମୋଟେ ରଖିନଥିଲ । ନାନା ଛଦ୍ମନାମରେ ଲେଖି ଲେଖି ପତ୍ରିକାର ପୃଷ୍ଠା ଭରିଦେବା ମଧ୍ୟ ଦରକାର ହେଉଥିବ, ସେପରି ସରସ ରଚନା ଆଉ କିଏ ଲେଖିବ ? ସରସ ରଚନା ଯେ ‘ଡଗର’ର ପ୍ରାଣ । ତା’ର ମଜାଗପ, ତା’ର ଲାଳିକା, ତା’ର ହାସ୍ୟବ୍ୟଙ୍ଗ ସମ୍ବଳିତ ଲେଖାମାନ, ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପୃଷ୍ଠା, ଏସବୁ ପାଇଁ ରଙ୍କ ପରି ପାଠକମାନେ ଅପେକ୍ଷା କରି ରହିଥାନ୍ତି । ଏତେଗୁଡ଼ିଏ ବର୍ଷ ହାସ୍ୟରସ କୈନ୍ଦ୍ରିକ କୌଣସି ପତ୍ରିକା ଭାରତର କୌଣସି ଭାଷାରେ ଏତେ ସାଫଲ୍ୟ ସହ ରାଜୁତି କରି ପାରିନାହିଁ । ଏକଥା ମୁଁ ବିଶ୍ୱ ହାସ୍ୟ ସମ୍ମିଳନୀ, ୧୯୮୫ ହାଇଦରାବାଦଠାରେ ଘୋଷିତ ହେବାର ଶୁଣିଛି । ଅନୁଭବୀ ମାତ୍ରେ ଜାଣନ୍ତି ଏହି ଗୌରବ ପଛରେ ତୁମର ଐକାନ୍ତିକ ପ୍ରଚେଷ୍ଟା ହିଁ ମୁଖ୍ୟତଃ ରହିଥିଲା ।

 

ଫତୁର ହେବା କଥାଟା କହି ଦେବା ସିନା ସହଜ, ତାକୁ ସହିବା ଲାଗି ଅନେକ କିଛି ସାହସ ଲୋଡ଼ା । କାବ୍ୟ ରୂପେ କେତେ କଥା ଶୁଣିବାକୁ ମିଳେ । ବଇଁଶୀ ନିଜ ଛାତିରେ କଣା କରି ମଧ୍ୟ ଗାଇଥାଏ, କେତେ ଏମିତି ଉପମା ଖୋଜିଲେ ମିଳିବ । ତୁମକୁ ନଦେଖିଲେ କିନ୍ତୁ ଫତୁର ଶବ୍ଦର ନିହିତାର୍ଥ ଠିକ୍‌ ବୁଝି ହୁଏ ନାହିଁ । ନିଜର ସର୍ବସ୍ୱ ଉତ୍ସର୍ଗ କରି କେବଳ ‘ଡଗର’ କାର୍ଯ୍ୟାଳୟ ଓ ପତ୍ରିକାଟି ଚଲାଇବାରେ ମନୋନିବେଶ କରିଥିଲ । ସେଇ ଫାଇଟାମରା ଗେରୁଆ ଧୋତି, ଗେରୁଆ ଫତେଇ, ସେଇ ପଖାଳ କଂସା, ତୁମେ ଯୋଉ ଥୁଣ୍ଟା ଗଛକୁ ସେଇ ଥୁଣ୍ଟା ଗଛ ହୋଇ ରହିଥିଲ । ଏକକ ଚେଷ୍ଟାରେ ତୁମେ ‘ଡଗର’ର ରଜତ ଜୟନ୍ତୀ ଉତ୍ସବ ପାଳନ କରିଥିଲ, ତା’ର ସେହି ସଂଗ୍ରହଣୀୟ ସଂଖ୍ୟାଟି ମଧ୍ୟ କାଢ଼ିଥିଲ । ପୁଣି ସୁବର୍ଣ୍ଣ ଜୟନ୍ତୀ ଲାଗି ମନ ବଳାଇଥିଲ । ତାହା ଯେବେ ପାଳିତ ହୋଇଥାନ୍ତା, ‘ଡଗର’ ପତ୍ରିକାର ମାନସମ୍ମାନଟି ନିଶ୍ଚୟ ଆକାଶଚୁମ୍ବୀ ହୋଇଯାଇଥାନ୍ତା, ତୁମର ଜୀବନ ବ୍ରତଟି ମଧ୍ୟ ସଫଳ ହୋଇଯାଇଥାନ୍ତା ତେବେ ଆଜି ମୋର ମନେ ହୁଏ, ତୁମେ ହୁଏତ ତା’ର ଧକ୍କାଟା ସମ୍ଭାଳି ପାରିନଥାନ୍ତ । ସ୍ୱାସ୍ଥ୍ୟ ଭାଙ୍ଗିପଡ଼ୁଥିଲା, ସେତେବେଳକାର ସହାୟକମାନେ ଦୂର ଦୂର ଜାଗାକୁ ଚାଲିଯାଇଥିଲେ, ତୁମର ତ ଯେମିତି ହଟ, ତୁମେ ସେହି ଉତ୍ସବଯାକେ ଖିଆପିଆ ଭୁଲି ଗୋଟାଏ ହୋ’ହାରେ ମାତି ରହିଥାନ୍ତ ଏବଂ ତାହାର ପରେ ପରେ ଦେହତ୍ୟାଗ କରିଥାନ୍ତ । ଆଉ କିଛି ବର୍ଷ ଆଗରୁ ଆମେ ତୁମକୁ ହରାଇଥାନ୍ତୁ । କିନ୍ତୁ ବିଧିର ବିଧାନ ଅନ୍ୟ ରକମ ଥିଲା । ଯେଉଁ ନିଃସ୍ୱାର୍ଥ, ଅହେତୁକୀ ପ୍ରୀତି ଫଳରେ ସାଧକ ଓ ସାଧନା ଏକୀଭୁତ ହୋଇଯାଇଥିଲେ, ଦିନେ ସେହି ‘ଡଗର’ ପତ୍ରିକା ଓ ପ୍ରେସ୍‌ ତୁମକୁ ଛାଡ଼ି ଚାଲିଗଲା । ‘ଡଗର’ ଭିନ୍ନ ତୁମର ଅସ୍ତିତ୍ୱ କିପରି ହୋଇଥିବ ? ଫୁଲରୁ ସୁବାସ ଉଡ଼ିଗଲା, ନିଆଁରୁ ଉତ୍ତାପ ହରଣ ହୋଇଗଲା । ବିଧାତା କେତେ କେତେ କଷଣ, କେତେ ବଡ଼ ବଡ଼ ଆଘାତ ତୁମକୁ ଦେଇ ଆସିଥିଲେ, ସବୁଗୁଡ଼ିକ ଏହି ଆଘାତ ତୁଳନାରେ ମ୍ଳାନ ହୋଇଗଲେ । ‘ଡଗର’ ଯେ ଥିଲା ତୁମର ପ୍ରାଣ, ତୁମର ଅସ୍ତିତ୍ୱ ଥିଲା । ଭସ୍ମାଚ୍ଛାଦିତ ବହ୍ନି ପରି ତାକୁ ଘୋଡ଼େଇବାକୁ ହଜାର ଚେଷ୍ଟା ସତ୍ତ୍ୱେ ବେଶ୍‌ ବୁଝାପଡ଼ୁଥିଲା ସେହି ରିକ୍ତ, ପରିତ୍ୟକ୍ତ ପ୍ରାଣଶକ୍ତି-ହୀନ ତୁମର ଜୀବସତ୍ତା । ଯେ ଥରେ ଦେଖିଛି, ତାକୁ ବୁଝାଇ କହିବା ଲୋଡ଼ା ହେବ ନାହିଁ । ସବୁ ସହିଷ୍ଣୁତା, ସବୁ ସହିବାର ଗୋଟିଏ ସୀମା ରହିବାର କଥା । ଏତେ ବଡ଼ ଆଘାତ, ଏତେ ହଠାତ୍‌ ଆକସ୍ମିକ ଭାବେ ଓ ଏତେ ଅପ୍ରତ୍ୟାଶିତ ସୂତ୍ରରୁ ପାଇ ତୁମେ ସାମୟିକ ଭାବରେ ଦିଗହରା ହୋଇଯାଇଥିଲ, ମ୍ରିୟମାଣ ହୋଇଯାଇଥିଲ, କିନ୍ତୁ ତୁମ ଭିତରର ସେହି ଅବିଚ୍ଛିନ୍ନ ପ୍ରାଣଶକ୍ତି, ସେହି ସହନଶକ୍ତିର ଆଶ୍ଚର୍ଯ୍ୟ ପ୍ରଭାବ ଏପରି ଯେ ମାସ ଛଅଟା ଯାଇଛି କି ନାହିଁ ସେହି ପ୍ରାଣଘାତୀ ଧକ୍କାକୁ ବି ହଜମ କରି ପାରିଗଲ । ତୁମ ଜୀବନୀରୁ ଦେଖିବାକୁ ପାଉଛି, କେତେ ପ୍ରବୋଧ ତୁମେ ନିଜକୁ ଦେଇ ଚାଲିଛ ମନରୁ ଫାନ୍ଦି ଫାନ୍ଦି, କିନ୍ତୁ କାହାରିକୁ ତୁମର ବିପର୍ଯ୍ୟୟ ଲାଗି ଦାୟୀ କରିନାହଁ କି କାହାରି ନିନ୍ଦା ମୋଟେ କରିନାହିଁ । ତୁମ ଉପରେ ଯାହାକିଛି ଅନ୍ୟାୟ ବା ଅବିଚାର ହୋଇଗଲା, ତାକୁ ମଧ୍ୟ ଆଶୀର୍ବାଦ ଭଳି ଅକାତରେ ଗ୍ରହଣ କରିବାର ମାନସିକତା ବାସ୍ତବିକ ଅଦ୍ଭୁତ ନିଜର ଏହି ବିପର୍ଯ୍ୟୟକୁ ତୁମେ ପ୍ରଚ୍ଛନ୍ନ ସୌଭାଗ୍ୟ ବୋଲି ଧରି ନେଇଛ । ସତେତ, ଯେବେଏଭଳି ହୋଇ ନଥାନ୍ତା ‘ଡଗର’ର ସୁବର୍ଣ୍ଣ ଜୟନ୍ତୀ କରିବାର ପଣଟି ନେଇଥାନ୍ତ, ସେହି ଅକ୍ଳାନ୍ତ ପରିଶ୍ରମ କ’ଣ ତୁମକୁ ଏହି କେଇଟା ଦିନ ବି ବଞ୍ଚାଇ ରଖିପାରିଥାନ୍ତା ? ଏ କଥାଟା ବାହାର ଲୋକ ଅତି ବସ୍ତୁପରକ ଦୃଷ୍ଟିରୁ ବିଚାର କରି କହିପାରିବ ଯେତେ ସହଜରେ, ପ୍ରାୟ ସେହିଭଳି ନୈବ୍ୟକ୍ତିକ ଦୃଷ୍ଟିଭଙ୍ଗୀ ଦେଇ ତୁମେ ନିଜର ସେହି ବିପର୍ଯ୍ୟୟକୁ ଦେଖି ପାରିଛ । ଏହାପରେ ପୁଣି ଥରେ ହସି ହସାଇବାର ଖେଳରେ ମାତିଗଲ ଯେ ଆଉ ସେସବୁ ଆଘାତ କଥା ମନେ ରହିଲା ନାହିଁ । କଟା ଗଛରେ ନୂଆ ପତ୍ର କଅଁଳିଗଲା, ଆସ୍ତେ ଆସ୍ତେ ସବୁଜ ଆସ୍ତରଣ ତଳେ କଟାଜାଗାଟି ଲୁଚିଗଲା । ତୁମର ପ୍ରିୟ ‘ହାସ୍ୟବିକାଶ କେନ୍ଦ୍ର’କୁ ନେଇ ତୁମେ ଠିକ୍‌ ଆଗ ଭଳି ବ୍ୟସ୍ତ ରହିଲ । ଏକଥା ସତ ଫତୁ ଭାଇନା ଯେ ଆମ ଦେଶରେ କେହି ହେଲେ କିଛି ସତ୍‌କର୍ମ ଲାଗି ନିଷ୍ଠାପର ଭାବରେ ଚେଷ୍ଟା କଲେ ହିଁ ପରେ ବିମର୍ଷ ହୋଇଯାଏ । କେତେ ଲୋକ ତାକୁ ସଂକଳ୍ପଚ୍ୟୁତ କରିବାକୁ ଆଗେଇ ଆସନ୍ତି, କେତେ ଦୁର୍ନିବାର ବାଧାବିଘ୍ନ ତା’ର ଚଲାପଥରେ ଆଗୁଳେଇବାକୁ ଉତ୍ପନ୍ନ ହୋଇଯାନ୍ତି । ତୁମର ବିମର୍ଷ ହେବାର ଢେର କାରଣ ଆସିଛି । କେତେଥର ନିୟତିର ନିଷ୍ଠୁର ପରିହାସ ତୁମ ଜୀବନକୁ ଖିନ୍‌ଭିନ୍‌ କରି ଚାଲିଯାଇଛି । ରୋଗବ୍ୟାଧି, ଦୁର୍ଘଟଣା, ନାନା ରକମର ଅଘଟଣ ସବୁ ସହିବାକୁ ହୋଇଛି, କିନ୍ତୁ ତୁମକୁ ସେସବୁ ବେଶି ବେଳଯାକେ ଅଟକାଇ ପାରିନାହିଁ । ତୁମର ତ ଅଗଣିତ ସ୍ତାବକ ଅଛନ୍ତି, କିନ୍ତୁ ତୁମର ବ୍ୟକ୍ତିତ୍ୱ ମଧ୍ୟରେ ଏହି ଦୃଢ଼ତାର ଖବର ବୋଧେ ଖୁବ୍‌ କମ୍‌ ଲୋକ ଜାଣନ୍ତି । ଯିଏ ତୁମର ଲେଖା ପଢ଼ି ହସି ହସି ବେଦମ୍‌ ହୋଇଛି ତାହା ପକ୍ଷରେ ଘୃଣାକ୍ଷରେ ଅନୁମାନ କରିବା ଅସମ୍ଭବ ହୋଇଥିବ ଯେ କେତେ ଯନ୍ତ୍ରଣା, କେତେ ଅଭାବ ଅସୁବିଧା ମଧ୍ୟରେ, ଅନେକ ସମୟରେ ଅନଟନ ମଧ୍ୟରେ ବି ତୁମର କଲମ ଚାଲିଥିଲା । ଦିନେ କଲମ ଚଳାଇବା ସମ୍ଭବ ହେଲା ନାହିଁ, କାହାକୁ ଶ୍ରୁତଲିଖନ ଡାକି ଡାକି ଲେଖିବାର ଦାୟିତ୍ୱ ପାଳନ କରିବାକୁ ହେଲା । ତାହା ମଧ୍ୟ ସମ୍ଭବ ହୋଇ ପାରୁନଥିଲା ଯେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଦେଇଥିବା ଟେପ୍‌ ରେକର୍ଡର କାମକୁ ଆସିଲା । ଓଡ଼ିଆ ସାହିତ୍ୟରେ କେତେ ଲେଖକ ଅପର୍ଯ୍ୟାପ୍ତ ରଚନା ଲେଖିଛନ୍ତି, କେତେ ତହିଁରୁ ପୁରସ୍କାର ଆଦି ପାଇଛନ୍ତି, କିନ୍ତୁ ଏତେ ଦୁଃଖକଷ୍ଟ ଭିତରେ, ଏତେ ବାଧାବିଘ୍ନ ଭିତରେ ତାଙ୍କ ମଧ୍ୟରୁ କେହି ହେଲେ ଲେଖିପାରିଛନ୍ତି କି ? ମୋ ଜାଣିବାରେ ଅଧିକାଂଶ ଲେଖକ ବଡ଼ ଆରାମରେ ଅନ୍ୟାନ୍ୟ ଜୀବିକାରେ ଥାଇ ଅର୍ଜନ କରୁଥାନ୍ତି ଓ ସଉକରେ କିଛି ଲେଖାଲେଖି କରୁଥାନ୍ତି । ଏତେ ବେଶି ଦୁଃଖକଷ୍ଟ ସହିବାକୁ ପଡ଼ୁଥିଲେ ସେମାନେ କେଉଁଦିନୁ ହାତକୁ ଗୋଟାଇ ବସି ଯାଇଥାନ୍ତେ, ଲେଖାଲେଖିର ପାଖ ମାଡ଼ିନଥାନ୍ତେ । ଆହୁରି ଗୋଟିଏ ବିଶେଷତ୍ୱ ତୁମର ଥିଲା । ଆଜିକାଲି ସବୁକିଛି ଉଦ୍ୟମର ମୂଲ୍ୟାୟନ ହେଉଛି ରୋଜଗାର ଦୃଷ୍ଟିରୁ । ଯେଉଁ ଜିନିଷ ନିଜକୁ ବେଶି ଦାମରେ ବିକ୍ରୟ କରିପାରେ, ତାହାର ମୂଲ୍ୟ ଅଧିକ ଧରାଯାଉଛି । ଫଳରେ ସାହିତ୍ୟ ଓ କଳା ଜଗତରେ ମଧ୍ୟ ଗୋଟିଏ ‘ବଣିକ ବୁଦ୍ଧି’ର ପ୍ରାଦୁର୍ଭାବ ଦେଖାଯାଉଛି । ପୃଥିବୀର ଅଗ୍ରସର ଦେଶମାନଙ୍କର କିଏ କେତେ ସଂଖ୍ୟାରେ ବହିଟି ବିକ୍ରି କରିପାରିଛି, କେତେ ଭାଷାରେ କେତେ ଦେଶରେ ତା’ର ସଂପ୍ରସାରଣ ହୋଇପାରିଛି, କେତେ ଟଙ୍କାର ପୁରସ୍କାର କୌଣସି ପୁସ୍ତକ ଅର୍ଜନ କରିଛି, ସେହିସବୁ ବିଚାର ପୁସ୍ତକର ମୂଲ୍ୟାୟନରେ ମୁଖ୍ୟ ହୋଇରହିଛି । ତୁମର ସାହିତ୍ୟ ସାଧନା କିନ୍ତୁ ବିଲକୁଲ୍‌ ଲାଭରହିତ, ଅର୍ଜନ ବିବର୍ଜିତ, ତୁମେ ଯଥାର୍ଥରେ ‘ଫତୁର’ ହୋଇ ଫତୁରାନନ୍ଦ ହିଁ ରହିପାରିଛ । ଲେଖିକରି ଅର୍ଜନ କରିବା, ସାହିତ୍ୟର ସ୍ୱୀକୃତି ରୂପେ ଅର୍ଥ ‘ସଂଗ୍ରହ’ କରିବା ତୁମର କଳ୍ପନାର ବାହାରେ । ରାଉରକେଲାରେ ଯେତେବେଳେ ତୁମକୁ ଦଶହଜାର ଟଙ୍କା ଧରାଇ ଦିଆଯାଇଥିଲା ତୁମର ସମ୍ମାନ ଉଦ୍ଦେଶ୍ୟରେ, ତୁମେ ତତ୍‌କ୍ଷଣାତ୍‌ ସେ ଟଙ୍କାତକ ହାସ୍ୟବିକାଶ କେନ୍ଦ୍ରକୁ ଦାନ କରିଦେଲ ଏବଂ ପୂର୍ବବତ୍ ଫତୁର ହୋଇ ଫେରିଆସିଲ । ‘ଅପରିଗ୍ରହ’ ଏକ ବିରାଟ ସାଧକ-ଲକ୍ଷଣ, ଏକ ମହାନ୍‌ ମାନବିକ ମୂଲ୍ୟ ରୂପେ ଆମର ଶାସ୍ତ୍ରମାନଙ୍କରେ ସ୍ୱୀକୃତ ହୋଇଛି । ତୁମର ସେ ସୁଗୁଣଟି ଭରପୁର ରହିଛି । କାହାରିଠାରୁ କିଛି ନେବାର ଘଟଣା ତୁମର ଜୀବନରେ ଦେଖିବାକୁ ମିଳେ ନାହିଁ, ଯାହାକି ତୁମେ ନିଜର ସ୍ୱାର୍ଥ ପାଇଁ କାହା ପାଖରୁ ନେଇଥିବ । ‘ଡଗର’ ଲାଗି କିଛି ମିଳିଗଲେ ତୁମେ ଆନନ୍ଦରେ ଗ୍ରହଣ କରିଛ । ଯେତେବେଳେ ଡଗର ପ୍ରେସରୁ ସବୁ ଅକ୍ଷର ଚୋରୀ ହୋଇଯାଇଥିଲା, ‘ଡଗରଟା ମରିଯିବ’ ବୋଲି ତୁମ ଆଖୁରୁ ଲୁହ ବାହାରି ପଡିଥିଲା, ସେତେବେଳେ ଜଣେ ଉଚ୍ଚ ଅଧିକାରୀଙ୍କର ସାହାଯ୍ୟ ତୁମେ ଆନନ୍ଦରେ ଗ୍ରହଣ କରିଛ । ସେ ଯେତେବେଳେ ଜଣେ ଉଚ୍ଚ ଅଧିକାରୀଙ୍କର ସାହାଯ୍ୟ ତୁମେ ଆନନ୍ଦରେ ଗ୍ରହଣ କରିଛ । ସେ ଯେତେବେଳେ ପଚାରିଲେ ଏଇଲା କେତେ ଟଙ୍କା ହେଲେ କାମ ଚଳିଯିବ, ତୁମେ କହିଥିଲ ମାତ୍ର ଦୁଇହଜାର ଟଙ୍କା । ଏତକ ସେ ତତ୍‌କ୍ଷଣାତ୍‌ ଯୋଗାଡ଼ କରି ଦେଇଥିଲେ । ଦୁଇ ହଜାର ଟଙ୍କା ବୋଲି ତୁମେ କେମିତି କହିଲ, ଆଉ ଦୁଇ ଜହାର ନେଇଥିଲେ ତ ହୋଇଥାନ୍ତା, କାଗଜ ଖର୍ଚ୍ଚରେ ବି ଲାଗିଯାଇଥାନ୍ତା ଅକ୍ଷର ବାଦ୍‌। କିନ୍ତୁ ତାହା ତୁମର ଧ୍ୟେୟ ନୁହେଁ, ଯେତିକି ଯାଇଛି, ସେତିକି ଆଗ ହାତକୁ ଆସୁ, ବାକୀ ନିଜେ ଖଟି ମେଣ୍ଟାଇଦେବ । ଏଇଥି ସକାଶେ ତୁମେ ଯଥାର୍ଥରେ ଫତୁରାନନ୍ଦ ହୋଇ ରହିଲ । ଏହାହିଁ ତୁମ ବ୍ୟକ୍ତିତ୍ୱର ମହତ୍ତମ ଗୁଣ । ହିନ୍ଦୀରେ ପ୍ରବଚନ ଅଛି ‘ଦେନେ କୋ ଟୁକୁଡା ଭଲା/ଲେନେକୋ ହରି ନାମ’ ଅର୍ଥାତ୍‌, ଦେବା ସକାଶେ ଶେଷ ରୁଟିର ଛିଣ୍ଡା ଅଂଶ ବି ଦେବା ଭଲ ନେବାକୁ ଥିବ ଖାଲି ହରିନାମ । ସର୍ବସ୍ୱ ଦାନ କରିବାକୁ ଥିଲେ ବି ତୁମେ ଦେଇଦେବ ଆଉ ନିଜେ ନାମ ଜପି କାଳ କଟାଉଥିବ-ଏହା ମଧ୍ୟ ତୁମର ମାନସିକତା ନୁହେଁ । ତୁମେ କର୍ମଠ, କର୍ମଯୋଗୀ । ଏହି ପରିଶ୍ରମଯାକ କେବଳ ଅନ୍ୟମାନଙ୍କ ଉପଭୋଗ ସକାଶେ, ନିଜ ଲାଗି ପାହୁଲାଟାଏ ନାହିଁ, ଠିକ୍‌ ସେହି ନୀତି ତୁମର ସ୍ନେହଦାନରେ ମଧ୍ୟ ଦେଖିବାକୁ ମିଳେ । ଦାନରେ ତୁମେ ଚିର ଅକୃପଣ କିନ୍ତୁ କେବେ ହେଲେ କିଛି ପ୍ରତିଦାନର ଆଶା ରଖିନାହଁ। ଯେଉଁମାନେ ତୁମର ସ୍ନେହଧନ୍ୟ, ସେମାନେ ମୋ କଥାର ମର୍ମ ଠିକ୍‌ ବୁଝୁଥିବେ । ମୋର ମନେ ଅଛି, ଥରେ ମୋର ଗୋଟିଏ ଭାଷଣ ଥିବାର ଖବର କାଗଜରୁ ପଢ଼ି, ଜଣେ କାହାକୁ ସାଙ୍ଗ କରି ଗୋଟିଏ ସାଇକେଲ ରିକ୍ସାରେ ବସି ସେହି ସଭାଗୃହରେ ତୁମେ ଓହ୍ଳାଇ ପଡ଼ିଥିଲ । ଶ୍ରୋତୃମଣ୍ଡଳୀଙ୍କ ମଧ୍ୟରେ ତୁମର ଗେରୁଆ ରଙ୍ଗର ଧୋତି ଓ ଫତୁଆ ଦେଖି ମୁଁ ପାଖକୁ ଗଲି ଓ ପଚାରିଲି ଏତେ କଷ୍ଟ କରି ଭାଇନାଙ୍କର ଆସିବା କ’ଣ ଦରକାର ଥିଲା ? ତୁମେ କହିଲ, ‘ଆଚ୍ଛା କଥା, ତୁମର ଭାଷଣ ହେବ ମୁଁ ଶୁଣିବି ନାହିଁ, ଦି କଥା ପଚାରିବି ନାହିଁ, ତା’ କ’ଣ ସମ୍ଭବ ?’ ମୋର ଭାଷଣ ପରେ ତୁମେ ଉଠି ଦୁଇ ଚାରିଟି ପ୍ରଶ୍ନ ମଧ୍ୟ ପଚାରିଥିଲ । ଉପସ୍ଥିତ ଶ୍ରୋତୃମଣ୍ଡଳୀ ତୁମର ପ୍ରଶ୍ନଗୁଡ଼ିକୁ ମୋର ଉତ୍ତର ଅପେକ୍ଷା ଅଧିକ ଆକର୍ଷଣୀୟ ବୋଧ କରିଥିବେ ନିଶ୍ଚୟ । ସେହି ସଭାରେ ତୁମର ଉପସ୍ଥିତି ମୋର ଗୌରବକୁ ବଢ଼ାଇଥିଲା ଓ ସେହି ସଭାର ଗୌରବକୁ ମଧ୍ୟ ବଢ଼ାଇଥିଲା । ମୁଁ ଉପଲବ୍ଧି କଲି, ତୁମର ହୃଦୟରେ ମୋ ପ୍ରତି ଯେଉଁ ଅନାବିଳ ସ୍ନେହର ଧାରା ଚିରକାଳ ପ୍ରବାହିତ ହୋଇଛି, ତହିଁରେ କିଛି ଆଶା ପ୍ରତ୍ୟଶା, ଦେବା ନେବା ନାହିଁ କି ତାର ମୂଲ୍ୟକୁ କେହି କଳି ପାରିବ ନାହିଁ । ତୁମର ଜୀବନୀ ପାଠକଲେ ଜଣାଯାଏ ଯେ ସମସ୍ତେ ତୁମର ସ୍ନେହର ମୂଲ୍ୟ ସମାନ ଭାବରେ ଦେଇନାହାନ୍ତି, ଯେଉଁମାନଙ୍କ କଥା ଜୀବନୀରେ ନାହିଁ, ତାଙ୍କ ଭିତରୁ ଯେ କେତେଜଣ ତୁମକୁ ନାନା ଭାବରେ ଆଘାତ ଦେଇଛନ୍ତି, ତୁମର ଆଶାଭଙ୍ଗର କାରଣ ହୋଇଛନ୍ତି ତାହା ମଧ୍ୟ ତୁମ ମୁହଁରୁ ଶୁଣିବାକୁ ମିଳିଛି, ତଥାପି ତୁମର ସେହି ମନୋବୃତ୍ତି ବଦଳି ନାହିଁ ।

 

ତୁମର ଅନ୍ୟ ଏକ ବିଶେଷତ୍ୱ ହେଉଛି ତୁମର ହାସ୍ୟବ୍ୟଙ୍ଗ ମଧ୍ୟରେ ନିଜକୁ ହିଁ ଲକ୍ଷ୍ୟ କରିବା, ନିଜ ଉପରେ, ବା ନିଜର ବ୍ୟବହାର ଓ ପରିପକ୍ୱ ନେଇ ତାହାରି ଭିତରୁ ହସାଇବାର ଖୋରାକ ଯୋଗାଡ଼ କରିବା ! ଅନ୍ୟମାନଙ୍କୁ ହାସ୍ୟର ଶରବ୍ୟ କରି ଥଟ୍ଟା ବିଦ୍ରୂପ କରିବା ତ ଅତି ସହଜ, ଯେ କେହି ଚାହିଁଲେ କରିପାରେ । କିନ୍ତୁ ନିଜ ଉପରେ ବ୍ୟଙ୍ଗ ଓ ହାସ୍ୟର ପ୍ରୟୋଗ କରିବା ଅତି ବିରଳ ପ୍ରତିଭାର ଲକ୍ଷଣ । ତୁମର ଜୀବନୀ ମଧ୍ୟରେ ଏପରି ହାସ୍ୟରସର ଦୃଷ୍ଟାନ୍ତ ଅଗଣିତ । ତୁମେ ନିଜର ବାଲ୍ୟକାଳର ଏକ ସୁନ୍ଦର ଚିତ୍ର ପ୍ରକାଶ କରିଛ, ଯାହାକି ବର୍ଣ୍ଣନା ହେଲେ ମଧ୍ୟ କୌଣସି ବ୍ୟଙ୍ଗଚିତ୍ରଠାରୁ କିଛି ହେଲେ ଊଣା ନୁହେଁ । ତୁମର ବୋଉ କେଉଁ

ଝିଅ କାନରେ ଫାସିଆ ଦେବାର ଉପକ୍ରମ କଲାବେଳେ ଝିଅଟିର ଛଟପଟ ଓ କାନ୍ଦଣାର ଆର୍ତ୍ତନାଶ କରିବାକୁ ଜଣେ ଆର୍ତ୍ତବନ୍ଧୁ ପିଲା ପାଖରେ ପଡ଼ିଥିବା ପିଢ଼ାଟାଏ ଉଠାଇ ତୁମ ବୋଉ ଅଣ୍ଟାରେ ପାହାର ଦେଲା । ବୋଉଲୋ ବୋଲି ପାଟିକରି ବୋଉ ସେଇଠି ବସିପଡ଼ିଲା । ... ‘ବୋଉ ମାରଫତ୍‌ରେ ମୁଁ ମାଡ଼ଟାଏ ଖାଇ କିଛି ସମୟପରେ ସେହି ଏନ୍ତୁଡ଼ିଶାଳରେ ମାଟି ଛୁଇଁଲି’...ଘରୋଇ ଶିକ୍ଷକଙ୍କର ବହୁବାର ବେତମାଡ଼ ପରେ ପ୍ରଥମ ମହାଯୁଦ୍ଧଟା ୧୯୧୪ରେ ଆରମ୍ଭ ହୋଇଥିଲା ବୋଲି କୌଣସି ପ୍ରକାରେ ମୁଁ ମନେ ରଖିପାରିଲି । ଏହାର ବର୍ଷକ ପରେ ମୋର ଜନ୍ମ । ଏତକ ବି ମନେ ରଖିବାକୁ ମନେ ମନେ ଗୋଟିଏ ଗପ ଗଢ଼ି ଦେଲି । ପ୍ରଥମ ମହାଯୁଦ୍ଧ ଲାଗିଗଲା । ପ୍ରଥମେ ଭଗବାନ ଚୁପ୍‌ ଚାପ ହୋଇ ବର୍ଷେ କାଳ ଶୋଇପଡ଼ିଲେ । ଘମାଘୋଟ ଯୁଦ୍ଧ ଲାଗିବାରୁ ଭଗବାନ ଉଠି ପଡ଼ି ମୋତେ କହିଲେ-‘ଯେବେ ଯା, ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ?’ ଯା, ପୃଥିବୀରେ ଗୋଟିଏ ବଢ଼ିଆ ଯୁଦ୍ଧ ହେଉଛି ଦେଖି ଆସିବୁ । ଭଗବାନଙ୍କ କଥା ମାନି ଯୁଦ୍ଧ ଲାଗିବାର ବର୍ଷକ ପରେ, ଅର୍ଥାତ୍‌ ୧୯୧୫ରେ ଜନ୍ମ ଗ୍ରହଣ କଲି... ।’ ନିଜର ଜନ୍ମ ବିଷୟରେ ଏପରି ଏକ ଉଦ୍ଭଟ କଳ୍ପନା କେବଳ ତୁମ ଉର୍ବର ମଥାରୁ ହିଁ ବାହାରି ପାରେ । ବୋଉ ମାରଫତ୍‌ରେ ମାଡ଼ଟିଏ ଖାଇ କିଛି ସମୟ ପରେ ତୁମେ ମାଟି ଛୁଇଁଲ, ଏ କଥାଟିର ତାତ୍ପର୍ଯ୍ୟ ପରବର୍ତ୍ତୀ ଏବଂ ଶେଷ ଜୀବନରେ କେତେ ଅଧିକ, ତାହା ତୁମର ଶିକ୍ଷାଲାଭ, ରୋଗବ୍ୟାଧି ଓ ସାହିତ୍ୟ ସାଧନା ଦେଇ ଏକ ଦୀର୍ଘ ଜୀବନକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଅକାରଣେ ବାହାର ଆଡୁ ତୁମର ନିର୍ଦ୍ଦୋଷ ସ୍ଥିତି ଉପରେ ପ୍ରହାର ଆସିଛି ଭାଗ୍ୟ ତରଫରୁ । ବୋଉ କୁଆଡ଼େ ସବୁ ସ୍ନେହକୁ ପେଟରେ ଲୁଚାଇ ରଖିଲା, ପାଟିବାଟେ କାଢ଼ିଲା ନାହିଁ, କାରଣ ବେଶି ସ୍ନେହ କଲେ ଦେବତାମାନେ ହୁଏତ ଈର୍ଷା କରି କିଛି ଅମଙ୍ଗଳ ଘଟେଇପାରନ୍ତି । ଦୂର୍‌ ଦୂର୍‌, ମାର୍‌ ମାର୍‌ କଲେ’ ବରଂ ଦେବତାମାନେ ଆହା କରିବେ । ଏହି ଉପାୟରେ ବୋଉ ଦେବତାମାନଙ୍କୁ ଠକି ଦେଲା । ତୁମର ଏହି ବ୍ୟଙ୍ଗୋକ୍ତିଟି ଯେ ତୁମ ବୋଉ ପ୍ରତି ଉଦ୍ଦିଷ୍ଟ ନୁହେଁ, ପରବର୍ତ୍ତୀ ଜୀବନରେ ତାହାର ଭୁରି ଭୁରି ପ୍ରମାଣ ଲେଖିଛ । ବୋଉଙ୍କର ଅନାବିଳ ଏକନିଷ୍ଠ ସ୍ନେହର ବହୁ ସ୍ଥାନରେ ପରିଚୟ ମିଳୁଛି । ଏ କଟାକ୍ଷଟି ସାମାଜିକ କୁସଂସ୍କାରକୁ ନେଇ ଏବଂ ତୁମର ଆମୋଦପୂର୍ଣ୍ଣ ଦୃଷ୍ଟିରୁ ଜାତ ହୋଇଛି । ତାହା ମଧ୍ୟରେ ଭୂତପ୍ରେତ ଓ ଡେଉଁରିଆ ପିନ୍ଧା ଏବଂ ରାଉତ ବୁଢ଼ାର ବର୍ଣ୍ଣନାମାନ ଅତି ଉପଭୋଗ୍ୟ ଭାବରେ ରହିଛି । ତୁମ ଘରର ପର୍ବପର୍ବାଣି, ତୁମର ମାମୁଁଘର ଯାତ୍ରା, ତୁମର ଚାହାଳି ପ୍ରବେଶ ଆଦି ଘଟଣାମାନ ପଢ଼ିଲେ ତୁମେ ଯେ ଜଣେ ସଫଳ ଚିତ୍ରକର ସେ କଥା ବେଶ୍ ବୁଝିହୁଏ । ମନେହୁଏ ଲେଖା ମଧ୍ୟରେ ତୁମେ ଗୋଟିଏ ଗୋଟିଏ ଚିତ୍ର ଅଙ୍କନ କରିଚାଲିଛ । ସେ ସମୟରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ମଧ୍ୟରେ ତୁମେ ନିଜକୁ ଏକ ଜୋକର୍‌ କରି ବସାଇ ଦେଇଛ । ସେ ଜୋକର ପୁଣି କଥା କଥାକେ ଚିତ୍ରପଟର ଅନ୍ଧାରିଆ କୋଣମାନଙ୍କୁ ରଙ୍ଗେଇ ଚାଲିଥାଏ ଏବଂ ସେ ରଙ୍ଗମାନଙ୍କୁ ଦେଖାଇ ଦେଖାଇ ହସି ହସାଉଥାଏ । ଇସ୍କୁଲ ଜୀବନର ମଧ୍ୟ ଅନେକ ଆମୋଦପୂର୍ଣ୍ଣ ବର୍ଣ୍ଣନା ଅତି ସରଳ ଭାବରେ କରିଯାଇଛ । ପ୍ରାକ୍‌ଟିସିଂ ସ୍କୁଲ ଓ କଲେଜିଏଟ୍‌ ସ୍କୁଲର ଅଭିଜ୍ଞତା ମଧ୍ୟରୁ ବ୍ରିଟିଶ ଅମଳର ସ୍କୁଲ ଶିକ୍ଷା ବିଷୟରେ ଏକ ସ୍ପଷ୍ଟ ଧାରଣା ମିଳିବା ସଂଗେ ସଂଗେ ବହୁ ସ୍ଥାନରେ ହସିବାର ଖୋରାକ୍‌ ମିଳିଯାଏ । ଶିକ୍ଷକମାନଙ୍କର, ହେଡ଼୍‌ମାଷ୍ଟରମାନଙ୍କର ଓ କର୍ମଚାରୀଙ୍କର ଆଚରଣ ବିଷୟରେ ଜଣେ ବାହାର ଲୋକ ଭଳି ବସ୍ତୁନିଷ୍ଠ ଭାବରେ ଅଥଚ ତୁମର ସ୍ୱଭାବସିଦ୍ଧ ସାବଲୀଳ ଭାଷାରେ ଅତି ସୁନ୍ଦର ଭାବରେ ହାସ୍ୟବ୍ୟଙ୍ଗ ମିଶାଇ ବର୍ଣ୍ଣନା କରିଛ । ତାହାରି ଭିତରୁ ପୁଣି ଫୁଟି ଦିଶୁଛି ଶିଶୁଭଳି ସରଳ ତୁମର ମନଟି ।’...ଜଣେ କଳା ନୁଡୁବୁଡିଆ ଅଧ୍ୟାପକ ପଢ଼ାଇବା କୌଶଳ ଦେଖାଇଲେ । ଆମେ ପୁଣି ସେଠାକୁ ଗଲୁ । ଟ୍ରେନିଂ କଲେଜ ପିଲା ସେଇପରି ଗ୍ୟାଲେରିରେ ବସିଥାନ୍ତି । ତାଙ୍କ ବାକ୍ୟର ଭାଗେ ଶବ୍ଦ ମୁଁ କୌଣସି ମତେ ବୁଝିପାରୁଥିଲି ଆଉ ତିନିଭାଗ ଶବ୍ଦ ଏକାବେଳକେ ବୋଧଗମ୍ୟ ହେଉନଥିଲା । ସେ ତଳକୁ ମୁହଁ କରି କହି ଲାଗିଥାନ୍ତି, ଏଣେ ତାଙ୍କ ଡାହାଣ କଡ଼କୁ ଗୋଟିଏ ଟିପେଇ ( ଷ୍ଟାଣ୍ଡ ) ଉପରେ ଥୁଆ ହୋଇଥିବା ଗୋଟିଏ ବାଲି ଡାଲାର ବାଲିକୁ ଡାହାଣ ହାତରେ ଖାଲି ଚକଟି ଲାଗିଥାନ୍ତି । କିଏ କ’ଣ ଭାବୁଥିଲା କେଜାଣି ମୁଁ ସବୁବେଳେ ବସି ଭାବୁଥାଏ ସେ ବାଲି ସେଠାରେ ରହିଲା କାହିଁକି ଓ ସେ ତାକୁ ସବୁବେଳେ ଚକଟୁଛନ୍ତି କାହିଁକି ? ତାଙ୍କର ପାଠ ସରିବା ସଙ୍ଗେ ସଙ୍ଗେ ସେ ବାଲିଚକଟା ସରିଲା । ମୁଁ ସେଠୁ ଫେରିଲା ବେଳେ ଭାବୁଥାଏ- ‘ସେ କ’ଣ ପଢ଼ାଇଲେ । ଇଂରେଜୀ ବହିର କୋଉପାଠ ମୁଁ ତ କାହିଁକି ଜାଣିପାରୁ ନାହିଁ ? ଇତିହାସ କି ଭୂଗୋଳ ପରି ତ ଜଣା ପଡ଼ୁନାହିଁ ?’ ଅଙ୍କ ସଂସ୍କୃତ କଥା ତ ବିଲ୍‌କୁଲ୍‌ ଉଠୁନାହିଁ । ତେବେ ସେ ପଢ଼ାଇଲେ କ’ଣ ? ଆଜି ମାଷ୍ଟରଙ୍କ ମାଷ୍ଟର-ଏତେ ବଡ଼ ମାଷ୍ଟର ଜଣେ ପାଠ ପଢ଼ାଇଲେ ଅଥଚ ମୁଁ କିଛି ବୁଝିପାରିଲି ନାହିଁ । ଏକାଦଶ ଶ୍ରେଣୀର ପାଠ ବୁଝିବା ପାଇଁ ମୋର ମୁଣ୍ଡ ନାହିଁ, ମାଟ୍ରିକ ଯେ ମୁଁ ପାସ୍‌ କରିବି ନାହିଁ ତାହା ଠିକ୍‌ ଭାବରେ ଜାଣିଗଲି । ବାଟରେ ଆସିଲା ବେଳେ ଆମ କ୍ଳାସରେ ଯେ ସବୁଠାରୁ ଭଲ ପିଲା ତାକୁ ଚୁପ୍‌ ଚୁପ୍‌ କରି ପଚାରିଲି ‘ହଇରେ ! ସେ କ’ଣ ପଢ଼ାଇଲେ ?’ ଅନ୍ୟ ପିଲାମାନେ ଏ ପ୍ରଶ୍ନଟା ଶୁଣିଦେଲେ ମୋର ବିରାଟ ମୂର୍ଖତାକୁ ଠଉରାଇ ଦେଇ ହସି ଉଠିବେ ଏହି ଭୟରେ ମୁଁ ଖୁବ୍‌ ଅନୁଚ୍ଚ ସ୍ୱରରେ ତାକୁ ପଚାରିଥିଲି । ସେ ବି ଟିକେ କଡ଼ ପଟିଆ ହୋଇଯାଇ ଓ ଆଡ଼କୁ ସାଡ଼କୁ ଚାହିଁଦେଇ ମୋତେ କହିଲା-କେଜାଣି ଶଳାଟା କଣ ପଢ଼ାଇଲା ସେ ଜାଣେ । ମୁଁ ଗଣ୍ଡିମୁଣ୍ଡ କିଛି ବୁଝି ପାରିଲି ନାହିଁ ।’ ସେହିପରି ମାଟ୍ରିକ୍‌ ପରୀକ୍ଷାରେ ନିଜେ ପାଶ୍‌ କରିଥିବ ବୋଲି ବିଶ୍ୱାସ ହେଉନଥିଲା, ଭାବି ନେଲ ଯେ ତୁମେ ଫେଲ୍‌ ହୋଇଛ ଓ ଘରେ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା । ଗୃହଶିକ୍ଷକ କାହ୍ନୁ ମାଷ୍ଟ୍ରେ ରେଭେନ୍ସା କଲେଜ ଅଫିସକୁ ନେଇଗଲେ, ତୃତୀୟ ଶ୍ରେଣୀର ତାଲିକାରେ ହିଁ ତୁମେ ନିଜେ ନାଆଁ ଖୋଜୁଥିଲ, ନ ପାଇ ମୁହଁଟା ହାଣ୍ଡି କରିଥିଲା । ମାଷ୍ଟ୍ରେ ଦ୍ୱିତୀୟ ଶ୍ରେଣୀର ତାଲିକାରେ ନାଁଟି ଦେଖାଇ ଦେବାରୁ ମୁଚୁକୁନ୍ଦିଆ ହସଟି ତୁମ ମୁହଁରେ ଫୁଟି ଉଠିଥିଲା ।

 

ଡାକ୍ତରୀ ପଢ଼ିବା ବେଳର ଘଟଣାବହୁଳ ଜୀବନ ମଧ୍ୟରୁ କେତେ କେତେ ଉପଭୋଗ୍ୟ ମଜାର ବର୍ଣ୍ଣନା ଦେଇଛ । ‘ପାଠପଢ଼ାଟି ଛାଡ଼ି ଦେଲେ ମୁଁ ଆଉ ଅନ୍ୟସବୁ ବିଷୟରେ ପୂର୍ଣ୍ଣ ଦକ୍ଷତା ଦେଖାଉଥିଲି ।’ ତୁମେ ଲେଖିଛ । ଅକପଟ ସ୍ୱୀକାର କରିଛି, ‘ପରୀକ୍ଷା ଖାତାରେ କପି କରି ଲେଖି ଦେଇଥିବାରୁ ଲେଖାରେ ପାସ୍‌ କରିବାର କୌଣସି ସନ୍ଦେହ ନଥିଲା ।’ ଖାଲି ବାହାରୁ ଆସିଥିବା ପ୍ରାକ୍ଟିକାଲର ପରୀକ୍ଷକଙ୍କୁ ସନ୍ତୁଷ୍ଟ କରିବାର ବିଦ୍ୟାଟି ଥିଲେ ବାଜିମାତ୍‌। ଫିଜିକ୍ସ ଓ କେମେଷ୍ଟ୍ରିର ଅଧ୍ୟାପକ ମିଆଁଙ୍କୁ କେବଳ ‘ଜୀ ହଜୁର’ କହି କହି ପୋତି ପକାଇଲ । ଫେରସ୍‌ ସଲଫେଟ୍‌ର ପ୍ରଶ୍ନର ଉତ୍ତର ଜଣାନଥିଲା ବୋଲି ସ୍କୁଲ ଶିକ୍ଷକ ନାରାୟଣ ଦତ୍ତଙ୍କର ସାହାଯ୍ୟ ଲୋଡ଼ିଲ । ତାଙ୍କ କହିବା ମୁତାବକ ତୁଚ୍ଛା ଓଡ଼ିଆରେ ‘ହୀରା କପ’ ସାହାଯ୍ୟରେ ସ୍ୟାହି ତିଆରି ହେବାର ବର୍ଣ୍ଣନା କଲ । ମିଆଁ ସାହେବଙ୍କୁ ନାରଣବାବୁ ବୁଝାଇଦେଲେ ତୁମେ ସବୁ ଠିକ୍‌ କହିଛ-ସେ ତ ଆଉ ଓଡ଼ିଆ ଜାଣନ୍ତି ନାହିଁ । ତାହା ପରେ ଆନାଟୋମୀର ଡିସେକ୍‌ସନ୍‌ ହଲ୍‌ରେ ଡେମନ୍‌ଷ୍ଟ୍ରେଟର କୁଣ୍ଡରେ ସାଇତା ହୋଇଥିବା ମୃତ ଦେହ ଦେଖାଇବାକୁ ନେଇଗଲେ । ଯେଉଁ ପିଲା ବଳି ପଡ଼ିବା ବେଳେ ଦୃଶ୍ୟଟି ଦେଖିପାରେ ନା, ବଥ ଅପରେସନ୍‌ ବା ଇଞ୍ଜେକ୍ସନ ଫୋଡ଼ାକୁ ବି ଚାହିଁପାରେ ନା ତା’ର ଅବସ୍ଥା ଡିସେକ୍‌ସନ୍‌ ବେଳେ ଯାହା ହେବାର କଥା ତା’ର ସୁଚିତ୍ରିତ ବର୍ଣ୍ଣନା ରହିଛି, ତଥାପି ସେଇ ହଲ୍‌ ମଧ୍ୟରେ ବି କିଛି କିଛି ଦୁଷ୍ଟାମୀର ନମୁନା ମିଳିଯାଉଛି । ତୁମେ ଯେ ଥିଏଟର୍‌ରେ ନାଚବାଲୀ ପାର୍ଟ କରିବାକୁ ବାଧ୍ୟ ହେଉଥିଲ, ଅମଙ୍ଗ ହେଲେ ଶିକ୍ଷକଙ୍କର ଧମକ ଖାଇବାକୁ ହେଉଥିଲା, ସେହି ‘ନର୍ତ୍ତକୀ’ ଯେ ଆମର ପ୍ରିୟ ଲେଖକ ଫତୁରାନନ୍ଦ ସେ ଖବର ତୁମର ଅଗଣିତ ପାଠକପାଠିକା ଜାଣିନଥିବେ । ତୁମର ଡିସେକ୍‌ସନ୍‌ ସଙ୍ଗୀ ରାମକୃଷ୍ଣ ଓରଫ ‘କାଳିଆରାମ’ ସାଙ୍ଗରେ ମିଶି ନାନା ଚକ୍ରାନ୍ତ କରି ଛୁରୀ ଧରିବାରୁ ରକ୍ଷାପାଉଥିଲ । ଯେଉଁ ଜିନିଷ ଦେଖିବାକୁ ହୁଏ ଅନ୍ୟମାନଙ୍କ ଡିସେକ୍‌ସନ୍‌ରୁ ଦେଖୁଥାଅ, ତା’ପରେ କହୁଥାଅ, ‘ଭାଇ ଏ ନାଡ଼ିଟା ଆମ ଜୀବ ଦେହରେ ନାହିଁ ।’ ସେମାନେ ଆସି ନାଡ଼ିଟିକୁ ବିରକ୍ତିରେ କାଟି ଦେଖାଇଦିଅନ୍ତି । ଏଇମିତି ଚାଲେ ଡିସେକ୍‌ସନର କାମ । ଦିନେ ତୁମ ଦୁହିଁଙ୍କର ବିପର୍ଯ୍ୟୟ ହେଲା ଯେତେବେଳେ ବ୍ୟବଚ୍ଛେଦ ଜାଗାରେ କରତରେ ଶବର ମୁଣ୍ଡଟିକି କାଟିବାକୁ ସ୍ଥିର କଲ । ଶିକ୍ଷକ ତୁମକୁ ଫେଲ୍‌ କରି ଦେବା ପରେ ଶୀର୍ଷ ଶ୍ରେଣୀର ଛାତ୍ରମାନଙ୍କ କାକୁତିମିନତି ଶୁଣି ଏକା ତମକୁ ଛାଡ଼ି ଦେଲେ । ତୁମର ଚିତ୍ରକରପଣିଆର ସୁଗୁଣ ତୁମକୁ ରକ୍ଷା କରିଦେଇଥିଲା । ଚାରିଟିଯାକ ପ୍ରଶ୍ନର ଉପଯୁକ୍ତ ଚିତ୍ର ତୁମ ପାଖରେ ହାତର ଥିଲା । ନାଲି ନେଳି ପେନ୍‌ସିଲ୍‌ ଦେଇ ରଙ୍ଗାଇ ତୁମେ ସେ ଚିତ୍ରତକ ସଜାଇଥିଲ । ପରୀକ୍ଷକ କହିଲେ, ‘ଏଇ ପିଲାଟି ସମସ୍ତଙ୍କଠାରୁ ଭଲ ଡିସେକ୍‌ସନ୍‌ କରିଛି !’ ପରୀକ୍ଷକଙ୍କ ପାଖରେ ଡରିବାର ଅଭିନୟ କରି ତାଙ୍କଠାରୁ ସମବେଦନା ଆଦାୟ କରିଛ ଓ ମୌଖିକ ପରୀକ୍ଷାର ପ୍ରଶ୍ନର ଉତ୍ତର ଲାଗି ତାଙ୍କଠାରୁ କିଛି କିଛି ସୁରାଖ ମଧ୍ୟ ପାଇଯାଇଛ । ପରୀକ୍ଷକଙ୍କର ମନଜାଣି ତୁମେ ସେମାନଙ୍କୁ ସନ୍ତୁଷ୍ଟ କରିପାରିଥିଲ, ବିଷୟବସ୍ତୁର ଜ୍ଞାନ କମ୍‌ ଥିଲେ ବି ପାସ୍‌ କରିଯାଇପାରିଲ । ତୁମର ସାଥୀ କାଳିଆ ରାମର କାହାଣୀ, ତା’ର ସାଇକଲ କଥା ମଧ୍ୟ ଅତି ନବଜିଆ ଭାବେ ପରିବେଷିତ ହୋଇଛି । ତୁମର ବନ୍ଧୁ ଜର୍ଜ ପଟ୍ଟନାୟକଙ୍କଠାରୁ ସିଗାରେଟ୍‌ ଖାଇବାର କଥାଟା ବଡ଼ ଉପଭୋଗ୍ୟ । ତମକୁ ଲୁଚାଇ ସେ ଖାଲି ଖୋଳ ମଧ୍ୟରେ ସିଗାରେଟ୍‌ ରଖୁଥିବାର ରହସ୍ୟଟି ଉଦ୍‌ଘାଟନ୍‌ କରି ତୁମେ ସବୁ ଚୋରାର ନେଉଥିଲ । ଦିନେ ଧରା ବି ପଡ଼ିଗଲ । ଖେଳ ପଡ଼ିଆରେ ତୁମର କୃତିତ୍ୱ ବଡ଼ ଚମତ୍କାର । ଫୁଟବଲ ଖେଳରେ ଗୋଲ କିପର୍‌ ହୋଇ ହାତକୁ ଛଟପଟ କରିଛ, ଆଙ୍ଗୁଠିର ଗୋଟିଏ ବାଣୀ ଫାଟିଗଲା, ପାପୁଲି ଦିଟା ଦୁଇଦିନ କାଳ ଦରଜ ହୋଇ କିଛି କାମ କରାଇଦେଇନଥିଲା । କ୍ରିକେଟ୍‌ରେ ମଧ୍ୟ ତଦ୍ରୂପ ଅବସ୍ଥା । ଜର୍ଜ ପଟ୍ଟନାୟକ ତୁମକୁ ସୁହାଇବା ଭଳି ବଲଟି ପକାଇଲେ ଯେ ତୁମେ ଜୋର୍‌ରେ ବ୍ୟାଟ୍‌ଟାକୁ ହିଁ ଫୋପାଡ଼ି ଦେଲ । ସେ ବ୍ୟାଟ୍‌ଟାକୁ ଧରି ନେଇ ତୁମ ମତରେ ପୃଥିବୀରେ ଗୋଟାଏ ରେକର୍ଡ଼ କରିନେଲେ । ଶେଷକୁ ଜର୍ଜ ପଟ୍ଟନାୟକଙ୍କ ପ୍ରଶିକ୍ଷଣ ଯୋଗୁରୁ ଭଲ ଟେନିସ ଖେଳିଲ । କିନ୍ତୁ ହକିଟା ମଧ୍ୟ ଆକର୍ଷଣ କଲା, ସେଠାରେ ଆହତ ହେବାପରେ ଖେଳ ଜୀବନ ସମାପ୍ତ ହୋଇଥିଲା । ମୁଁ ଭାବୁଛି ତୁମେ ଯେବେ ଭଲ କ୍ରିକେଟ୍‌ ଖେଳାଳୀ ହୋଇ ବାହାରିଥାନ୍ତ, ତେବେ ତୁମକୁ ବହୁତ ମାନ୍ୟ ମିଳିଥାନ୍ତା । ଏତେଗୁଡ଼ାଏ ବର୍ଷ ସାହିତ୍ୟ ସାଧନା କରି ଯାହା ପାଇଲ ନାହିଁ ବୋଲି ଅନେକ ସମୟରେ ଅବଶୋଷ କରିଛ, ହୁଏତ ତା’ ହୋଇଥିଲେ ଅବଶୋଷ ନଥାନ୍ତା । ଆହୁରି ମଜାଦାର ହେଉଛି ତୁମର ରାଜନୀତିରେ ପ୍ରବେଶର ଚେଷ୍ଟା । ଇସ୍କୁଲ ବେଳୁ ତୁମର ପ୍ରଥମ ଉଦ୍ଦୀପନା ହେଲା, ‘ସରଖିଆ ଇଂରେଜ ସରକାର’ ବିରୁଦ୍ଧରେ ଗୋଟାଏ ପୋଷ୍ଟର ଲେଖିବା । ସରକାର ବୋଲି ସେଇ ପୁଲିସବାଲାଙ୍କୁ ମାନି ନେଇଥିଲ ଯେକି ଖୁବ୍‌ ସରଖାଇ ମୋଟା ହୋଇଥିଲେ । ପୋଷ୍ଟରଟି ଲେଖିବା ପରେ ବି ତାକୁ ମାରିବାକୁ ସାହସ କରିନାହଁ, ଆଉ ଜଣେ ସାଙ୍ଗକୁ ନେଇ ନିଛାଟିଆ ରାତିରେ ଅଠାମଡ଼ାଇ ମାରି ଆସିଲ । ତାହା ପରେ ବି ଡର ଯାଇନାହିଁ । ପୋଷ୍ଟରଟି ନିଶ୍ଚୟ ପୁଲିସବାଲା ଛିଣ୍ଡାଇ ତୁମର ଇସ୍କୁଲକୁ ଯାଇ ମାଷ୍ଟରଙ୍କୁ ଦେଖାଇବେ, କହିବେ ଏ ହସ୍ତାକ୍ଷରଟି କାହାର ? ସେମାନେ ତ ନିଶ୍ଚୟ ଚିହ୍ନି ପାରିବେ, ତା’ପରେ ସରକାରଙ୍କର ରୋଷ ତୁମ ଉପରେ ପଡ଼ିଯିବ । ସେହିପରି ରବି ଘୋଷର ପ୍ରଭାବରେ ତୁମେ ମେଡିକାଲ ସ୍କୁଲରେ ପଡ଼ିଥିଲ । ତୁମର ନିଜର ସଂଜ୍ଞାରେ ରାଜନୀତି ହେଲା, ‘ଅତି ଗୋପନରେ ଓ କେହି ନ ଶୁଣିବାଭଳି ଦି ଚାରିପଦ ଗାଳି ସରକାରଙ୍କୁ ଦେଇ ବାହାରକୁ ଭଲ ଲୋକ ସାଜିବା ।’ ଷ୍ଟେଟ୍‌ ଆଣ୍ଡ୍‌ ରିଭଲ୍ୟୁସନ୍‌’ ବହିଟି ରବି ଘୋଷଠାରୁ ପାଇ ଲୁଚାଇ ଲୁଚାଇ ପଢ଼ିବା ଆରମ୍ଭ କଲ । ରାଜନୀତି ଘରେ ତୁମର ବୁଦ୍ଧି ପଶୁନଥାଏ । ବହିଟି ପଢ଼ିବାକୁ ଆରମ୍ଭ କରିବା ମାତ୍ରେ ‘ଚାଳରେ ମୁଣ୍ଡ ବାଜିଲା’ ପଦେ ତ କିଛି ବୁଝି ପାରିଲ ନାହିଁ, ଦିଟା ଶବ୍ଦକୁ ଉଚାରଣ ବି କରିପାରିଲ ନାହିଁ, ବୁଝିବା ତ କାହିଁ ଦୂରର କଥା । ନବ ଚୌଧୁରୀଙ୍କର ଓଡ଼ିଆରେ ଲେଖା ବହି ‘ବୈଜ୍ଞାନିକ ସାମ୍ୟବାଦ’ ଠାରୁ ଶିଖିଲ କେତେକ ଶବ୍ଦ ‘ବୁର୍‌ଜୁୟା’, ‘ପେଟି ବୁର୍‌ଜୁୟା, ‘ପ୍ରୋଲିଟାରିଏଟ୍‌’, ‘ଲେବର ଫ୍ରଣ୍ଟ’, ‘ଷ୍ଟୁଡେଣ୍ଟ ଫ୍ରଣ୍ଟ‘ । ଚାରି, ପାଞ୍ଚଟା ଶବ୍ଦକୁ ଆୟତ୍ତ କରିନେଇ ନିଜକୁ ଗୋଟିଏ ପୋଖତ ରାଜନୀତିଜ୍ଞ ବୋଲି ଭାବି ନେଲ । ନିଜର ପାଣ୍ଡିତ୍ୟକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରୁ କରୁ ସ୍କୁଲର ମୁଖ୍ୟ କିରାଣୀ ହାରଧନ ବାବୁଙ୍କ ଆଗରେ ବଖାଣି ନୂଆ ଶିଖିଥିବା ଶବ୍ଦତକ ପ୍ରୟୋଗ କଲ ଓ ତାଙ୍କୁ ଆଶ୍ଚର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବା ପରେ ସେ ଜଣେ ପୋଖତ୍‌ ପଲିଟିସିଆନ୍‌ ଓ କମ୍ୟୁନିଜିମ୍‌ରେ ବିଜ୍ଞ ବୋଲି ଜାଣି ବଡ଼ ଲାଜୁରା ହୋଇଗଲ । ରବି ଘୋଷଙ୍କ ସାଥିରେ କଲିକତାରୁ ଆସିଥିବା ଟାଣୁଆ ବିପ୍ଳବୀ ସିହ୍ନା ବାବୁଙ୍କ ଦର୍ଶନ ପାଇଲ । ସେତେବେଳର ସନ୍ତ୍ରାସବାଦୀଙ୍କ ବିଷୟରେ ଜ୍ଞାନ ଅର୍ଜନକଲ, ନୂଆ ସଭ୍ୟମାନଙ୍କୁ ନେଲାବେଳେ ରିଭଲ୍‌ଭରଯାକ ଜଙ୍କ ଲାଗିଯାଇଥାଏ । ବୋଲ ମାନେନା । ‘ହଇରେ, ଏଇଟାକୁ କୂଅ ବା ପୋଖରୀ ଭିତରୁ ପାଇଥିଲୁକିରେ ?’ ନା ଏଇଟା ବାଡ଼ିରେ, ମାଟିରେ ପୋତା ହୋଇଥିଲା, ତା’ଉପରେ ଗୋଟିଏ ଗଛ ହୋଇଯାଇଥିଲା । ଘଣ୍ଟା ଘଣ୍ଟା ଧରି ସିହ୍ନାବାବୁଙ୍କଠାରୁ ଏହିପରି ରୋମାଞ୍ଚକରୀ ଘଟଣାମାନ ଶୁଣିଲ । ତୁମର ଉଦ୍ଦୀପନାଟି କିନ୍ତୁ ଆହୁରି ମଜେଦାର । ତାଙ୍କ ବଡ଼ ଭାଇ ପୋର୍ଟବ୍ଳେଆରର ଜେଲ୍‌ରେ ମରିଯିବାର ଶୁଣି ତୁମେ ରାଗରେ ପାଚିଗଲ । ‘ମୁଁ ଭାବୁଥିଲି ଯଦି ମୋ ହାତରେ ଗୋଟିଏ ପିସ୍ତଲ ପଡ଼ିଯାନ୍ତା ତେବେ ମୁଁ ସାଙ୍ଗେ ସାଙ୍ଗେ ଧାଇଁଯାଇ ଗୋଟାଏ ଚଉକିଆକୁ ଢ଼ୋ’କରି ଦେଇ ଖସିପଳାଇଯାନ୍ତି ।’ ବିଚାର ଚଉକିଆ ! ସେଇ ହୋଇଗଲା ମହା ବିକ୍ରମୀ ବ୍ରିଟିଶ୍‌ ସରକାରଙ୍କର ଜଣେ ପ୍ରତିନିଧି ! ଚାହିଁଲେ ବି ତୁମେ ରାଜନୀତିରେ କିଛି କରି ପାରିନଥାନ୍ତ ଏକଥା ନିଶ୍ଚିତ । ରାଜନୀତିବାଲାଏ ତମକୁ କୋଉ ହାଟରେ ବିକି ଦେଇଥାନ୍ତେ । ଜୀବନରେ କେତେ କେତେ ଉଦ୍ୟମ ବିଫଳ ହୋଇଛି । ଯୁଦ୍ଧ ସମୟରେ ଭୁବନେଶ୍ୱରର ଏରୋଡ୍ରମ୍‌ ତିଆରି ହେଲାବେଳେ ପେଟି କଣ୍ଟ୍ରାକ୍ଟରିରେ ମୂଳ ଜମା ବୁଡ଼ିଗଲା । ତା’ ପରେ ହେଲା ଫର୍ନିଚର କାରଖାନା । ସେ ବି ସେଇ ବାଟେ ଚାଲିଗଲା । ପୁଣି ହେଲା ଚାଉଳ, ଡାଲି ଦୋକାନ । ତା’ପରେ ଚାଷବାଷ । ସବୁ ବିଫଳ ହେବା ପରେ ଯାଇ ତୁମେ ସାହିତ୍ୟ ଜଗତକୁ ଆସିଲ । ସାହିତ୍ୟକୁ ତ ଆଗେ ପାସଙ୍ଗରେ ପକଉନଥିଲ । ତୁମ ଭାଷାରେ କହିବାକୁ ଗଲେ, ‘ମୋର ଅନ୍ୟ କିଛି ଗତି ନଥିବାରୁ ମୁଁ ସାହିତ୍ୟ ଦରିଆ ମଧ୍ୟକୁ ଧପାସ୍‌ କରି ଡେଇଁଲି ।’ ପ୍ରଥମ ଲେଖା ‘କବି ଲଢ଼େଇରୁ’ ସ୍ୱୀକୃତିର ଆରମ୍ଭ ହୋଇ ଶେଷ ଜୀବନଯାକେ ତୁମକୁ ସାହିତ୍ୟ ଆବାରି ରହିଲା । ରାଜକିଶୋର ରାୟ ଓ ଗୋପିନାଥ ମହାନ୍ତିଙ୍କର ପ୍ରଶଂସା ତୁମକୁ ଉଦ୍‌ବୁଦ୍ଧ କରିଥିଲା । କାହାରି ସ୍ୱୀକୃତିକୁ ଅପେକ୍ଷା ନକରି ଅବିଶ୍ରାନ୍ତ ଭାବରେ ହାସ୍ୟରସ ସୃଷ୍ଟି କରିଗଲ । ସାହିତ୍ୟ ଏକାଡ଼େମୀର ରଜତ ଜୟନ୍ତୀରେ ଗୋଟିଏ ଦାମିକା ସାଲ୍‌ ଉପଢ଼ୌକନ ରୂପେ ପାଇଥିଲ । ତୁମର ସଂକ୍ଷିପ୍ତ ଭାଷଣରେ କହିଥିଲ-ଆଜିଯାଏ ହାସ୍ୟରସକୁ କେହି ସ୍ୱୀକୃତି ଦେଉନଥିଲେ । ଏ ସ୍ୱୀକୃତିକୁ ତୁମେ ହାସ୍ୟରସର ସ୍ୱୀକୃତି ବୋଲି ଗ୍ରହଣ କରୁଛ । ମଞ୍ଚରୁ ଓହ୍ଳାଇବା ପରେ କୌଣସି ଜଣେ ଅଧ୍ୟାପକଙ୍କର ଗୋଟିଏ ବିଦ୍ରୂପ ମନ୍ତବ୍ୟ ମଧ୍ୟ ପୁରସ୍କାର ରୂପେ ପାଇଯାଇଥିଲ । ରାଉରକେଲାର ସମ୍ବର୍ଦ୍ଧନାଟି ତୁମ ଜୀବନର ଶ୍ରେଷ୍ଠ ସ୍ୱୀକୃତି ହୋଇଛି । ସେଠାରୁ ମିଳିଥିବା ଦଶହଜାର ଟଙ୍କାକୁ ତୁମର ସଦ୍ୟ ସ୍ଥାପିତ ହାସ୍ୟବିକାଶ କେନ୍ଦ୍ରକୁ ଦାନ କରି ପରମ ସନ୍ତୋଷ ଲାଭ କରିଥିଲ । କିନ୍ତୁ ଏହି ସ୍ୱୀକୃତି ପଛରେ ମଧ୍ୟ ଇର୍ଷାନ୍ୱିତ ସାହିତ୍ୟିକ କେତେଜଣଙ୍କର ବିରୁଦ୍ଧ-ପ୍ରଚାର ତୁମକୁ ବ୍ୟଥିତ କରିଥିଲା । ପ୍ରକୃତ ସ୍ୱୀକୃତି ଦେଇଥିଲେ ତୁମର ଅଗଣିତ ଅଦୃଶ୍ୟ ପାଠକପାଠିକା । ତୁମେ ତା’ର ଖବର ଜାଣିବା କଥା ନୁହେଁ । ରୟାଲ୍‌ଟି ତ ଓଡ଼ିଆ ସାହିତ୍ୟରେ ଗୋଟିଏ ଅଜଣା କଥା ହୋଇକରି ଅଦ୍ୟାବଧି ରହିଛି । ବହିର ବିକ୍ରିରୁ ଜଣାପଡ଼େ ଯେ ତୁମର କେତେ ଆଦରଥିଲା । ଫତୁ ଭାଇନା, ତୁମେ ହେଲ ଲୋକପ୍ରିୟ ସାହିତ୍ୟିକ ଆଉ ଯେଉଁମାନେ ପୁରସ୍କାର ଆଦି ମୁଣ୍ଡାଇ ବୁଲୁଥାନ୍ତି, ସେମାନେ ହେଲେ ‘କ୍ଳାସିକ୍‌’ ବା ଡ୍ରଇଁରୁମ୍‌ ସାହିତ୍ୟିକ । ଦୁନିଆଯାକରେ ଶ୍ରେଷ୍ଠ କାଟ୍‌ତିର ବହିଥାକ ଅଲଗା ଓ କ୍ଳାସିକ୍‌ ସାହିତ୍ୟର ଥାକ ଅଲଗା । ଏଠି କେବଳ ବିଡ଼ମ୍ବନା ଏତିକି ଯେ ଶ୍ରେଷ୍ଠ କାଟ୍‌ତିର ‘ବେଷ୍ଟ ସେଲର୍‌’ ହେଲେ ବି ତା’ର ଲେଖକର ପ୍ରାପ୍ତିସ୍ଥାନରେ କିଛି ନଥାଏ । ଏହାହିଁ ଓଡ଼ିଆ ଲେଖକମାନଙ୍କର ଭାଗ୍ୟ । ଅନ୍ୟ ଭାରତୀୟ ଭାଷାର ସାହିତ୍ୟ ମଧ୍ୟରେ ବି ଲେଖକଙ୍କ ଭାଗ୍ୟରେ ଅଳ୍ପେ ବହୁତେ ଏହିପରି ଅପ୍ରାପ୍ତି ଜୁଟିଥାଏ, ତେବେ ଓଡ଼ିଶା ଭଳି ଏତେଟା ନୁହେଁ । ଏହାର ବ୍ୟତିକ୍ରମ ହିନ୍ଦୀ ସାହିତ୍ୟରେ କିଛି ଦେଖିବାକୁ ମିଳେ, କାରଣ ତାହାର ପାଠକ ସଂଖ୍ୟା ଅନେକ ବେଶି ଏବଂ ତାହା ଲାଗି ଶାସକ ଗୋଷ୍ଠୀର ପୃଷ୍ଠପୋଷକତା ମଧ୍ୟ କାମ କରେ । ବଙ୍ଗଳା ସାହିତ୍ୟରେ ମଧ୍ୟ ପାଠକ ସଂଖ୍ୟା ଅଧିକ, ପାଠକମାନଙ୍କର ଆଗ୍ରହ ମଧ୍ୟ ଓଡ଼ିଶା ତୁଳନାରେ ଅଧିକ, ତଥାପି ସେଠାରେ ମଧ୍ୟ ଲେଖକଙ୍କର ଅପ୍ରାପ୍ତି ଯୋଗ ଦେଖିବାକୁ ମିଳିଥାଏ । ସୁତରାଂ ଖାଲି ତୁମ କ୍ଷେତ୍ରରେ ହିଁ କିଛି ରୟାଲ୍‌ଟି ନପାଇବାର ଘଟଣା ଘଟିଛି ତାହା ନୁହେଁ । ମୋର ବକ୍ତଗତ କଳ୍ପନା କିନ୍ତୁ ଠିକ୍‌ ସେହି ଜାଗାରେ ରହି ଯାଏନାହିଁ । ମୁଁ ଭାବେ ଯେବେ ପ୍ରକାଶକମାନେ ତୁମକୁ ହଜାରେ ବା ଦୁଇ ହଜାର ଟଙ୍କା ରୟାଲ୍‌ଟି ଭାବରେ ଦେଇ ଦେଇଥାନ୍ତେ ତେବେ ତୁମେ ତାକୁ ପାଇ କ’ଣ କରିଥାନ୍ତ ? ତୁରନ୍ତ ମନରୁ ଜବାବ୍‌ ଆସେ ତୁମେ ‘ଡଗର‘ର କାଗଜ ଖର୍ଦ୍ଦିଲାଗି ତାକୁ ଖର୍ଚ୍ଚ କରି ଦେଇଥାନ୍ତ କି ଦେଇ ଦେଇଥାନ୍ତ ତୁମ ପ୍ରତିଷ୍ଠିତ ‘ସରସ ସାହିତ୍ୟ ସମିତି’ ଅଥବା ‘ହାସ୍ୟବିକାଶ କେନ୍ଦ୍ର’କୁ । ନିଜେ ତ ନିଜପାଇଁ ପାହୁଲାଟାଏ ଖର୍ଚ୍ଚ କରି ନଥାନ୍ତ । ତୁମେ ଆଜନ୍ମ ସନ୍ନ୍ୟାସୀ, ଚିରତ୍ୟାଗୀ, ଏବଂ ଚିରକାଳ ‘ଫତୁର’ ହିଁ ରହିଆସିଛି, ସେହିଭଳି ତୁମର କାଳଯାପନ ହୋଇଥାନ୍ତା । ଏହି ମନୋବୃତ୍ତି ହେତୁରୁ ତୁମ ଦ୍ୱାରା ବ୍ୟବସାୟ ବା କୃଷିକର୍ମ ସଫଳହୋଇ ପାରିନଥିଲା । ଯାହାର ଭୋଗର ଲାଳସା ନାହିଁ, ଅର୍ଥ ପିପାସା ନାହିଁ କି ଉଚ୍ଚାଶା ନାହିଁ ତା’ପକ୍ଷରେ କୌଣସି ଉଦ୍ୟୋଗ ବା ଉଦ୍ୟମ ସମ୍ଭବ ହୁଏନା । ନିଜକୁ ଲୁଚାଇ ରଖିବା ତୁମର ସାହିତ୍ୟ କ୍ଷେତ୍ରରେ ଗୋଟିଏ ପ୍ରକୃତି ହୋଇ ରହିଗଲା, ଅଥଚ ଏଠାରେ କଥା କଥାକେ ସାହିତ୍ୟିକମାନେ ନିଜର ପ୍ରତିଷ୍ଠାର ଯୋଗାଡ଼ ଲାଗି ଉଦ୍ୟୋକ୍ତା ହୋଇଥାନ୍ତି । ମୁଁ ଚିରପ୍ରବାସୀ ହୋଇ କେବଳ ବାହାରୁ ଦେଖୁଥାଏ, ଏତେ ଗୁଡ଼ାଏବହିର ‘ଉଦ୍‌ଘାଟନ ସମାରୋହ’ ହେଉଛି, ପୁରସ୍କୃତ ଲେଖକମାନଙ୍କର ସମ୍ବର୍ଦ୍ଧନା ହେଉଛି । ଠାଏ ଦେଖିଲି, ସମ୍ବର୍ଦ୍ଧିତ ଲେଖକ ନିଜର ସାକ୍ଷାତ୍‌କାରର ଲିଥୋ କପି ସମ୍ପାଦକମାନଙ୍କୁ ଦେଇଛନ୍ତି ଏବଂ କାଗଜ ତାଡାଟି ବେଶ୍‌ ମୋଟ ହୋଇଛି । ମୁଁ ଜଣେ ସମ୍ପାଦକକୁ ବାଟରେ ଦେଖି ପଚାରିଲି, ଏତେ କାଗଜ କ’ଣ ଆପଣ ପତ୍ରିକାରେ ଛପାଇବେ ! ସେ କହିଲେ, ଏସବୁ ଦସ୍ତାବିଜ୍‌ ଆମ ପାଖରେ ରହିଥିବ ତାହାରି ଭିତରୁ କିଛି ନିର୍ଯ୍ୟାସ ନେଇ ଆମେ ପୃଷ୍ଠାଏ ଦି’ପୃଷ୍ଠା ଦେଇଦେବୁ ବୋଲି ଏତକ ମିଳିଛି । ତହିଁରେ ଫଟୋ ଆଦି ମଧ୍ୟ ରହିଛି ଯହିଁରେ ବିଭିନ୍ନ ଦେଶ, ବଡ଼ ବଡ଼ ଲୋକଙ୍କ ଗହଣରେ ଲେଖକଙ୍କୁ ଦେଖିବାକୁ ମିଳିବ । ତୁମେ ନିଜର ଭାବନା ଭିତରେ ଦେଖାଇଛ କିପରି ଜଣେ ସର୍ବୋଚ୍ଚ ସମ୍ମାନ ପାଇଥିବା ବରିଷ୍ଠ ଲେଖକ ଆଉଜଣେ ସମାନ ଭାବରେ ସମ୍ମାନିତ ଲେଖକଙ୍କୁ ନିକୃଷ୍ଟ ବୋଲି କହି ନିଜର ଗାରିମା ପ୍ରକଟ କରିଛନ୍ତି: ପୁଣି ରାଉରକେଲାରେ ତୁମର ସମ୍ବର୍ଦ୍ଧନା ହେଉଥିବାର ଜାଣି ପ୍ରଚାରପତ୍ର ଛପାଇ ଏପରି କରିବା ଉଚିତ୍‌ ନୁହେଁ ବୋଲି କେତେକ ଲେଖକ ଉଦ୍ୟୋକ୍ତାମାନଙ୍କ ପାଖକୁ ପଠାଇ ଦେଇଥିଲେ ଯାହାକି ଉଦ୍ୟୋକ୍ତାମାନେ ପୋଡ଼ି ନଷ୍ଟ କରିଦେଇଥିଲେ । ଅସୂୟାର ପରାକାଷ୍ଠା ଏହିପରି ଭାବରେ ସାହିତ୍ୟିକମାନଙ୍କଠାରେ, ଦୃଶ୍ୟ ହେଉ ବା ଅଦୃଶ୍ୟ ହେଉ, ନାନା ରୂପରେ ଜଣାପଡ଼ୁଛି । ପାଠକପାଠିକାଙ୍କ ମନରେ ବରେଣ୍ୟ କବି ଓ ଲେଖକଙ୍କର ଯେଉଁ ଭାବମୂର୍ତ୍ତି ରହିଆସିଥିଲା, ତାକୁ କେତେକ ବାଜେଲୋକ ମିଶି ବର୍ଷ କେଇଟାରେ ନଷ୍ଟ କରିଦେଲେ । ମୁଁ ଭାବୁଛି, ସେଭଳି ଦଉଡ଼ ଭିତରେ ତୁମେ କୋଉଠି ରହିଥାନ୍ତ ? ତୁମେ ତ ସେ ଜାଗାରୁ ପାଞ୍ଚମାଇଲ ଦୂରକୁ ପଳେଇଯାଇଥାନ୍ତ । ଯାହାବି ତୁମକୁ ମିଳିଛି, ତାହା ଆପେ ଆପେ ତୁମର ନିଜଗୁଣ ସକାଶେ ମିଳିଛି, କାହାରି ପଛପେଲା ଯୋଗୁରୁ ନୁହେଁ କି ନିଜର ଯୋଗାଡ଼ ଯୋଗୁରୁ ନୁହେଁ । ଠାଏ ତୁମେ ଲେଖିଛ, ଅଧ୍ୟାପକମାନେ ତୁମର ଲେଖାକୁ ପାସଙ୍ଗରେ ପକାଇ ନାହାନ୍ତି । ଦୂର ପ୍ରବାସରେ ଥାଇ ମୁଁ ଶୁଣିବାକୁ ପାଇଲି ଯେ କେତେକ କ୍ଷମତା ସଂପନ୍ନ ସାହିତ୍ୟିକ ଅଧ୍ୟାପକମାନଙ୍କ ଦ୍ୱାରା ନିଜନିଜର ସ୍ତୁତି ଲେଖି ଛପାଇଛନ୍ତି, ନ ଲେଖିଲେ ଫଳ ଖରାପ ହେବ ବୋଲି ମଧ୍ୟ ଧମକ ଦେଇଛନ୍ତି । କେନ୍ଦ୍ରର ସାହିତ୍ୟ ଏକାଡେମୀରେ ମଧ୍ୟ ଥରେ ଚରମ ବିଚାରକମାନେ ଜଣ ଜଣ କରି ଘୋଷଣା କରିଥିଲେ ଯେ ସେମାନେ ପୁରସ୍କୃତ ବହିଟିକୁ ଭଲ ଭାବରେ ପଢ଼ିନାହାଁନ୍ତି ତେଣୁ ତା’ଭିତରେ ଗୋଟିଏ କବିତା ଯେ ଆମର ଜଣେତୁଙ୍ଗ ନେତାଙ୍କର ନିନ୍ଦା କରିଛି ତାହାର ଖବର ରଖିନାହାନ୍ତି । ତୁମେ ସେହି ବିଚାରକମାନଙ୍କର ସ୍ୱୀକୃତି ଲାଗି ଅବଶୋଷ କରିଛ, ସେହି ଅଧ୍ୟାପକମାନଙ୍କର ପ୍ରଶଂସା ଶୁଣିବାକୁ ଲାଳାୟିତ ହୋଇଛ ? ତୁମେ ଯାହା ପାଇଛ, ଯେଉଁ ଅଗଣିତ ପାଠକଙ୍କର ସାଗ୍ରହ ସ୍ୱୀକୃତି ପାଇଛ ତାହା କେତେଜଣ ଲେଖକଙ୍କର ଭାଗ୍ୟରେ ଜୁଟୁଛି ? ଏହା ପଛରେ ତୁମର କ୍ଷମତାକାମ କରିନାହିଁ କି ରାଜନୀତିକ ସୁପାରିଶ କାମ କରିନାହିଁ । ଯେଉଁ ନିଷ୍ପାପର ସାଧନା ନେଇ ତୁମେ ଅବିଶ୍ରାନ୍ତ ଭାବରେ ସାହିତ୍ୟ ସୃଷ୍ଟି କରିଚାଲିଥିଲ, ନିଜର ଅସୁସ୍ଥତା, ନିଜର ନିଷ୍ପ୍ରଭ ଦୃଷ୍ଟି; ନିଜର ଅଭାବଗ୍ରସ୍ତ ଜୀବନ, ସବୁକିଛି ଅବହେଳା କରି, ସବୁ ଟିଟିକାରି ସହି, ସବୁ ପ୍ରତ୍ୟାଶାକୁ ଜଳାଞ୍ଜଳି ଦେଇ, ତାହାରି ଏହି ସୁଫଳ ମିଳିଛି, ଏକଥା କାହାରିକୁ ବୁଝାଇ କହିବାକୁ ହେବ ନାହିଁ । ମୋ ଭଳି ତୁମର ଅଜସ୍ର ସ୍ତାବକ ଅଛନ୍ତି । ମୁଁ ଅନେକ ସମୟରେ ଭାବେ, ଏତେ ସହିବାର ବ୍ୟକ୍ତି, ଏତେ ଉତ୍ସାହ ଉଦ୍ଦୀପନା ତୁମକୁ କେଉଁଠୁ ମିଳେ, ଅନ୍ତରର କେଉଁ କୋଣରେ ଏହି ଚିରସ୍ରୋତା ଉତ୍ସଟି ଲୁଚାଇ ରଖିଛ ? ଆଜି ମନେ ପଡ଼ୁଛି ‘ଡଗର’ର ରଜତ ଜୟନ୍ତୀ ଉତ୍ସବ ବେଳେ ଯେଉଁଦିନ ମୋତେ ‘ରସରାଜ’ ଉପାଧି ମିଳିଲା, ତୁମେ ସେଦିନ ଗୋଟିଏ ଶାସ୍ତ୍ରୀୟ ଗାୟନର ଅନୁକରଣ ପରିବେଷଣ କରିଥିଲ, ସେହି ‘ଆଳାପ’ ମଧ୍ୟରେ ନାନା ‘ବିଳାପ’ ଯୋଗ କରିଥିଲ, ପୁଣି ତହିଁରୁ ବିଲୁଆ, କୁକୁର ବିଲେଇ ସବୁ ଜୀବଙ୍କର ବୋବାଳି ମଧ୍ୟ କାଢ଼ିଥିଲ ! ସଭା ପରେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଆଲୋଚନା କରୁଥିଲୁ, ଏଇ ବୟସରେ କ’ଣ ଅନ୍ୟକେହି ଏପରି ଗୋଟିଏ ପ୍ରୋଗ୍ରାମ୍‌ ଦେଇ ପାରିଥାନ୍ତା ? ଏପରି କୌଣସି ହାସ୍ୟାଭିନେତା, ପୋଖତ କଳାକାରଙ୍କ ନାମ ଆମ ଭିତରୁ କେହି କହିପାରିଲେ ନାହିଁ, ଯେକି ସେଭଳି କାର୍ଯ୍ୟକ୍ରମ ଲାଗି ସାହସୀ ହୋଇଥାନ୍ତା । ଏସବୁ କିନ୍ତୁ ତୁମେ ମଞ୍ଚ ପଛରୁ ଅଦୃଶ୍ୟହୋଇ କରୁଥିଲ । ଉପସ୍ଥିତ ଦର୍ଶକମଣ୍ଡଳୀ ଏହାକୁ ଉପଭୋଗ କରୁଥିଲେ । ମୁଁ ବିଚାରୁଥିଲି, ଏତେ ‘ହନୁକରଣ’ର ବ୍ୟଙ୍ଗ ମଧ୍ୟରେ ବି ତୁମେ ଶାସ୍ତ୍ରୀୟ ରାଗର ନିୟମକୁ ଭଙ୍ଗ କରିନାହଁ ! ଏକଥା ମୁଁ ବୁଝିପାରିଲି କାରଣ ମୋର ଯତ୍‌ସାମାନ୍ୟ ସଙ୍ଗୀତର ଶିକ୍ଷା, ଗୁରୁଙ୍କର କୃପାରୁ ରହିଥିଲା । ଏହି ଚମତ୍କାର ପ୍ରତିଭାଟି ତୁମେ ଲୁଚାଇକରି ରଖିଥିଲ । ତାହାପରେ ଆଉ ମୁଁ ତୁମକୁ କେବେ ଗାଇବାର ଶୁଣିନାହିଁ, କିନ୍ତୁ ସେହି କାର୍ଯ୍ୟକ୍ରମଟିକୁ ମୁଁ କେବେ ଭୁଲିପାରେ ନାହିଁ । ତୁମର ଫୁଟା ଡଙ୍ଗା ଭିତରକୁ ସଂଗୀତର ଲହଡିଟା କେବେ କେଉଁ ଅବସ୍ଥାରେ ପଶିଯାଇଥିଲା ସେକଥା ଖୋଜିଲେ ମିଳିବ ନାହିଁ । ପଚାରିଲେ ତ ତୁମେ ମୋଟେ ମାନିନଥାନ୍ତ ଯେ ତୁମର ସେହି ପ୍ରତିଭାଟି ରହିଛି । ଯେବେ ପରିବେଶ ଅନୁକୂଳ ହୋଇଥାନ୍ତା, ଯେବେ ‘ଡଗର’ ପତ୍ରିକାଟି ସୂଚାରୁରୂପେ ଚାଲିଥାନ୍ତା, ଯେବେ ତୁମର ଏତେ ଦୁର୍ବିପାକ ସହିବାକୁ ହୋଇନଥାନ୍ତା, ତେବେ ନିଶ୍ଚୟ କେଉଁ ଘରୁଆ ବୈଠକରେ ତୁମେ ଗୀତଗାଇ ଶୁଣାଇଥାନ୍ତ ଓ ସମସ୍ତେ ଶୁଣି ମୁଗ୍ଧ ହୋଇଥାନ୍ତେ, ପ୍ରକୃତ ସଂଗୀତ, କିଛି ବ୍ୟଙ୍ଗଗୀତ ନୁହେଁ ଏବଂ ବୋଦ୍ଧା ଶ୍ରୋତାମାନେ ତାହାର ମହତ୍ୱ ବୁଝିଥାନ୍ତେ । ତୁମେ ସଙ୍ଗୀତଜ୍ଞ, ତୁମେ ଚିତ୍ରକର, ତୁମେ କବି ଓ ଲେଖକ । ଏତେଗୁଡ଼ାଏ ଗୁଣ କ’ଣ ସହଜେ ଏକାଠି ଠୁଳ ହୁଏ ? ମୁଁ କହିବି ଏଭଳି ଗୁଣର ସମାହାର ଅତ୍ୟନ୍ତ ବିରଳ । ତୁମର ସେହି ପ୍ରତିଭା ଭଳି ତୁମେ ଗୋପନ ରଖିଛ ତୁମର ଅଟଳ ଭକ୍ତିଭାବକୁ । ଭିତରେ ଭିତରେ ତୁମେ ଜଣେ ଭକ୍ତ ରହିଛ, ବାହାରେ ଯାହା ଦିଶୁଥାଉ ପଛକେ । ତୁମକୁ ନିତ୍ୟାନନ୍ଦ ମହାପାତ୍ର ଡାକୁଥିଲେ ‘ହୋ ହରିଓଁ’ ବୋଲିକରି । ପରେ ତୁମେ ଭଗବାନ୍‌ ସତ୍ୟସାଇବାବାଙ୍କର ଭକ୍ତ ହେଲ । ସେହି ଅହେତୁକୀ ଅଚଳା ଭକ୍ତିରୁ ତୁଳନା ହୁଏ ନାହିଁ । ଥରେ ମୋତେ ଲେଖିଥିଲ, ମାସେ କି ଦୁଇମାସକାଳ ତୁମର ଅନ୍ୟଜ୍ଞାନ ନଥିଲା, କେବଳ ବାବାଙ୍କର ଧ୍ୟାନରେ ମଗ୍ନ ରହିଥିଲ । ଫତୁ ଭାଇନା, ଭକ୍ତି ତ ସମସ୍ତଙ୍କୁ ମିଳେ ନାହିଁ, ସେ ଏକ ଆଶିଷ, କେବଳ ସୌଭାଗ୍ୟବାନ୍‌ଙ୍କୁ ମିଳେ । ଆମେ ସାଧାରଣ ଲୋକ ସେସବୁ ସୂକ୍ଷ୍ମ ବିଷୟ କେତେଟା ବୁଝିବୁ ? ଏତିକି ବୁଝିପାରିବୁ ଯେ ତୁମ ଭିତରେ ଗୋଟିଏ ଭାବସାଗର ରହିଛି, ସେଇଥିରେ ବେଳେ ବେଳେ ତୁମେ ସନ୍ତରଣ କରୁଥାଅ । କେତେ ଭକ୍ତ କେତେ ରକମର ପୂଜାର୍ଚ୍ଚନା କରୁଥାନ୍ତି, ଭଜନକୀର୍ତ୍ତନ କରୁଥାନ୍ତି, ବିଭୂତି ପାଇଥାନ୍ତି, ତୁମେ କିନ୍ତୁ କେବଳ ଭାବର ବିନିମୟରେ ବିଶ୍ୱାସୀ ବୋଧହୁଏ ସେହି ଭକ୍ତିର ଶକ୍ତି ହିଁ ତୁମକୁ ଦୁସ୍ତର ମରୁପଥ ଅତିକ୍ରମ କରାଇଛି, ବହୁ ଦୁଃଖଦ ଅଭିଜ୍ଞତା ମଧ୍ୟରେ ବି ଆନନ୍ଦର ସଂଧାନ କରାଇଛି, ତୁମକୁ ବଞ୍ଚିବାର ପ୍ରେରଣା ଦେଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ତୁମର ଆଶାବାଦ । ଏହି ଆଶାବାଦ ଯୋଗୁରୁ ତୁମେ ମହାବ୍ୟାଧି ସାଙ୍ଗରେ ବି ଲଢ଼େଇ କରି ଜିତିଛ । କେବେ ହେଲେ ନୈରାଶ୍ୟକୁ ପାଖ ମଡାଇ ଦେଇନାହଁ । ଏହି ଆଶାବାଦ ହିଁ ତୁମର ସାହିତ୍ୟର ଛତ୍ରେ ଛତ୍ରେ ଲୁକ୍କାୟିତ ରହିଛି, ତାହାହିଁ ହାସ୍ୟରସର ଜଗତରେ ତୁମକୁ ମୁକୁଟହୀନ ସମ୍ରାଟ କରି ପ୍ରତିଷ୍ଠିତ କରିଛି ।

 

ତୁମର ସାହିତ୍ୟିକ ମୂଲ୍ୟାୟନ କରିବାର ଯୋଗ୍ୟତା ଓଡ଼ିଆ ସାହିତ୍ୟର ତଥାକଥିତ ସମାଲୋଚକଙ୍କ ପାଖରେ ମିଳିବ ନାହିଁ । ହାସ୍ୟର ସମାଲୋଚନା କରିବା ଲାଗି ଆମର ଦେଶରେ କୌଣସି ପରମ୍ପରା ସୃଷ୍ଟି ହୋଇନାହିଁ । ଆମର ବିଶ୍ୱବିଦ୍ୟାଳୟମାନଙ୍କରେ, ମହାବିଦ୍ୟାଳୟମାନଙ୍କରେ ହାସ୍ୟ ସାହିତ୍ୟର ଆଲୋଚନା ହୁଏନାହିଁ । ହାସ୍ୟ ସ୍ରଷ୍ଟାଙ୍କର ପରିଚୟ ମଧ୍ୟ ସେଠାକାର ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ନଥାଏ । ଓଡ଼ିଶାରେ ଏତେଗୁଡ଼ିଏ ବିଶ୍ୱବିଦ୍ୟାଳୟ ରହିଛି, ସବୁଠାରେ ସାହିତ୍ୟର ଶିକ୍ଷଣ ହୋଇଥାଏ, କିନ୍ତୁ ହାସ୍ୟ ସାହିତ୍ୟ ବିଷୟରେ କଦବା କ୍ୱଚିତ ଆଲୋଚନା ହେଉଥାଏ । ଅନେକଦିନ ତଳେ ବାଣୀବିହାରର ଓଡ଼ିଆ ବିଭାଗ ମୋତେ କେତେକ ପ୍ରସାର ଭାଷଣ ଦେବାଲାଗି ଡାକିଥିଲେ । ଗୋଟିଏ ଦିନ ଭାଷା-ମନୋବିଜ୍ଞାନ ଓ ଭାଷା ପରୀକ୍ଷଣ ଉପରେ କହିବା ପରେ ମୁଁ ହାସ୍ୟ ସାହିତ୍ୟ ବିଷୟରେ ବକ୍ତୃତା ଦେଇଥିଲି । ପ୍ରଥମୋକ୍ତ ବିଷୟମାନଙ୍କ ପ୍ରତି ଶ୍ରୋତାମାନଙ୍କର ଆଗ୍ରହ ଟିକିଏ ଅଧିକ ଥିବାର ଅନୁଭବ କଲି । ଶ୍ରୀ ନିତ୍ୟାନନ୍ଦ ଶତପଥୀଙ୍କର ‘ଇସ୍ତାହାର’ ପତ୍ରିକାରେ ଗୋଟିଏ ଫାଳ ହାସ୍ୟରସ ଉପରେ ଲେଖିଥିଲି । କିନ୍ତୁ ଦୀର୍ଘଦିନର ହାସ୍ୟ ସାହିତ୍ୟର ଅଭିଜ୍ଞତା ସତ୍ତ୍ୱେ ତାହା ବିଷୟରେ କୌଣସି ସଂଗୋଷ୍ଠୀ ଆଦିରେ ଅଂଶଗ୍ରହଣ କରିବାର ସୁଯୋଗ ହୋଇନାହିଁ । ଥରେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକଙ୍କୁ ଫୋନ୍‌ କରିଥିଲି । ମୁଁ ଅନ୍ୟ କାମରେ ଭୁବନେଶ୍ୱର ଯାଇଥାଏ । ସେଠାରୁ ଜବାବ୍‌ ପାଇଲି ଯେ ସେ ଭୁବନେଶ୍ୱର ବାହାରକୁ ଯାଉଛନ୍ତି ତେଣୁ ମୋ ସାଙ୍ଗରେ ଭେଟ ହେବ ନାହିଁ । ପର ଦିନର ଖବର କାଗଜରୁ ପଢ଼ିଲି ଯେ ସେ ବ୍ରହ୍ମପୁରରେ ଓଡ଼ିଆ ସାହିତ୍ୟରେ ହାସ୍ୟରସ ଉପରେ କୌଣସି ଆଲୋଚନାରେ ଯୋଗ ଦେବାକୁ ଯାଇଛନ୍ତି ଯାହାକି ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ସେ ମୋତେ ସାମିଲ କରିବାକୁ ଉପଯୁକ୍ତ ବୋଧ କରିନାହାନ୍ତି ନିଶ୍ଚୟ । ମୁଁ ଯାଇଥିଲେ ପଦେ ଦିପଦ ତୁମ ବିଷୟରେ କି ହାସ୍ୟରସର ଆଉ କେତେକ ସ୍ରଷ୍ଟାଙ୍କ ବିଷୟରେ କିଛି କହି ପାରିଥାନ୍ତି ବୋଧ ହୁଏ । ଏହାପରେ ମୁଁ ଆଉ ସେହି ସମ୍ପାଦକଙ୍କ ସାଙ୍ଗରେ ଫୋନ୍‌ରେ କଥା ହୋଇନାହିଁ । ମୋର ଏକଥା କହିବାର ଏକମାତ୍ର ଉଦ୍ଦେଶ୍ୟ ତୁମର ସୃଷ୍ଟିର ଉପଯୁକ୍ତ ସମୀକ୍ଷା ନ ହେବାର ଗୋଟିଏ ବଡ଼ କାରଣ ହେଲା ଯେ ଏହାର ଆଲୋଚନା କରିବାର ଉପଯୁକ୍ତ ବ୍ୟକ୍ତି ମିଳୁନାହାନ୍ତି । ତୁମ ଉପରେ ଡକ୍ଟରେଟ୍‌ କରି ବିଜୟାନନ୍ଦସିଂହ କିଛି ପରିମାଣରେ ଏ ଅଭାବ ମେଣ୍ଟାଇ ପାରିଛନ୍ତି ଅବଶ୍ୟ । ଅନ୍ୟ କେଉଁଠି କିପରି ଆଲୋଚନା ହେଉଥିବ ମୋ ପକ୍ଷରେ ସେସବୁ ଜାଣିବାର ଉପାୟ ନାହିଁ । ତଥାପି ପତ୍ରପତ୍ରିକାର ସମାଲୋଚନା ଓ ସମ୍ବାଦପତ୍ରମାନଙ୍କର ସମୀକ୍ଷା ସ୍ତମ୍ଭ ଦେଖି ମୋର ମନେହୁଏନା ଯେ ହାସ୍ୟରସ ଉପରେ ବିଶେଷ କିଛି ଚର୍ଚ୍ଚା ହେଉଥିବ । ତେବେ ତୁମର ପ୍ରଶଂସକ ଓ ସ୍ତାବକମାନେ ତୁମ ଲେଖାର ଆଦର ବଢ଼ାଇଛନ୍ତି ଓ ପାଠକପାଠିକାଙ୍କ ଆଗରେ ଏହାର ପ୍ରସାର ପାଇଁ ସାହାଯ୍ୟ କରିଛନ୍ତି ସେ କଥା ମୁଁ ଅନୁଭବ କରି ଖୁସି ହୋଇଛି । ଆଶା କରୁଛି ଏହିପରି ଭାବରେ ଭବିଷ୍ୟତରେ ମଧ୍ୟ ତୁମ ଉପରେ କିଛି କିଛି ଆଲୋଚନା ହେବ ।

 

ମୁଖ୍ୟତଃ ତୁମେ କଟକ ସହରରେ ହିଁ ନିଜର ରଚନାର ପୃଷ୍ଠଭୂମିକୁ ସୀମାବଦ୍ଧ ରଖିଛ । ଖାଲି କଟକ ସହର ନୁହେଁ, କେତେକ ସାହି ବା ଅଞ୍ଚଳ ମଧ୍ୟରେ ହିଁ ତୁମେ ତୁମର ସୃଷ୍ଟିକୁ ନିର୍ଦ୍ଦିଷ୍ଟ ରଖିଛ । ସମାଜିକସ୍ତର ଦୃଷ୍ଟିରୁ ଅଧିକାଂଶ ସ୍ଥଳରେ ତୁମେ ନିମ୍ନଠାରୁ ନିମ୍ନମଧ୍ୟବିତ୍ତ ସ୍ତରର ଚରିତ୍ରମାନଙ୍କୁ ବାଛିଛ । ଆଉ କେତେକ ବିଖ୍ୟାତ ରଚନା ମଧ୍ୟରେ ଅଛନ୍ତି ଲଢ଼ୁଆ ସାହିତ୍ୟିକ ଓ ଲେଖକ ଚରିତ୍ର ଯେଉଁମାନେ ଆଧୁନିକ ବନାମ ପୁରାତନ ରୀତିର ଚିରାଚରିତ ମୋକଦ୍ଦମାଟି ଚଳାଇ ଯାଆନ୍ତି । ଏହି ଦୁଇଟି ସରହବ ମଧ୍ୟରେ ଦେଖାଇଛ ବ୍ୟକ୍ତିଗତ ଓ ପାରିବାରିକ ଦ୍ୱନ୍ଦ୍ୱ, ରାଜନୀତିକ ମତଭେଦ, ନାନା ବିଚିତ୍ର ବର୍ଣ୍ଣର ବିରୋଧ ଓ ଅଦ୍ଭୁତ ପ୍ରସଙ୍ଗ । ସମାଜର ନିମ୍ନସ୍ତରର ଲୋକମୁହଁରେ ସ୍ୱାଭାବିକ ଭାଷା ଫୁଟାଇବାକୁ ଯାଇ ତୁମେ ସମାଲୋଚନାର ଶରବ୍ୟ ହୋଇଛ । ଏତେ ‘ଶଳା’ ଥିଲେ ସାହିତ୍ୟର ମର୍ଯ୍ୟାଦାହାନି ହେବାର ସମ୍ଭାବନା କଥା ବି ହସରେ ଉଡ଼ାଇ ଦେଇ ଶଳା ସ୍ଥାନରେ ‘ଶ୍ୱଶୁର ପୁଅ’କୁ ଥୋଇ ଦେଇଛସତେ ଯେପରି ଉକ୍ତ ସମାଲୋଚକ ମହାଶୟଙ୍କୁ ବ୍ୟଙ୍ଗ କରି । ସାହିତ୍ୟଜଗତର ଅଯଥା କନ୍ଦଳ, ଲେଖକମାନଙ୍କର ଆତ୍ମତ୍ସରିତା ଓ ଅହଂକାର, ପରସ୍ପରର ନିନ୍ଦାଚର୍ଚ୍ଚା ଓ ବିତଣ୍ଡାର ଯେଉଁ ଚିତ୍ର ତୁମର ରଚନାରେ ଫୁଟି ଉଠିଛି, ବ୍ୟକ୍ତ ହେଉ କି ଅବ୍ୟକ୍ତ ହେଉ, ସେହି ମାନସିକତା ଯେ ଅଦ୍ୟାପି ଓଡ଼ିଆ ସାହିତ୍ୟର ଲେଖକ ଗୋଷ୍ଠୀ ଓ ସାହିତ୍ୟିକ ଧୂରନ୍ଧରମାନଙ୍କ ମଧ୍ୟରେ ଅଦ୍ୟାପି ବିଦ୍ୟମାନ ତାହାର କିଛି କିଛି ଲକ୍ଷଣ, ଯେ କେହି ବାହାରୁ ମଧ୍ୟ ଦେଖିବାକୁ ପାଇବେ । ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ ବେଳକୁ ଏତେ ପୁରସ୍କାରର ଧୁମ୍‌ ଧାମ୍‌ ଲାଗି ନଥିଲା କି ସ୍ୱୀକୃତି ଲାଗି ଏତେ ଧାଉଡ଼ି ଲାଗିନଥିଲା । ଏବେ ଏସବୁ କନ୍ଦଳର ଉଗ୍ରତା ଟିକିଏ ଅଧିକ ଜଣା ପଡ଼ୁଛି ।

 

ଆଉ ଗୋଟିଏ ମୁଖ୍ୟ ବିଭାବ ତୁମ ରଚନାରେ ଦେଖାଯାଏ । ଅଧିକାଂଶ ଲେଖା ତୁମର ନାରୀ ବର୍ଜିତ । ଆଦ୍ୟ ଜୀବନରୁ ହିଁ ତୁମେ ଦେଖିପାରିଥିଲ ଯେ ଅଧିକାଂଶ ରଚନାରେ କେବଳ ପ୍ରେମ ସମ୍ବନ୍ଧୀୟ ଘଟଣାକୁ ଅବଲମ୍ବନ କରି ହାସ୍ୟରସ ସୃଷ୍ଟି କରିବାର ଚେଷ୍ଟା ହେଉଛି, ତେଣୁ ତୁମେ ବିରକ୍ତି ବୋଧ କରିଥିଲ । ଆଉ ଦୁଇଜଣଙ୍କ ପାଖରେ ତୁମ ଏହି ମତ ପ୍ରକାଶ କଲ ଯେ ଏସବୁ ନଥିଲେ ବି ହାସ୍ୟରସର ରଚନା ସମ୍ଭବ । ସେମାନେ ଏଥିରେ ଏକମତ ନ ହେବାରୁ ତୁମେ ଜିଦ୍‌ କଲ, ଏସବୁ ବର୍ଜନ କରି ହାସ୍ୟରସର ସାହିତ୍ୟ ଲେଖିବ ଏବଂ ଆଜୀବନ ତାହାହିଁ କରି ଆସିଛ । ମୋ ମତରେ, ଏହା ଫଳରେ ନାରୀ ଜାତିର ମର୍ଯ୍ୟାଦା ଅଧିକତର ସୁରକ୍ଷିତ ହୋଇପାରିଛି । ହାସ୍ୟରସର ରଚନାରେ ବରାବର ସ୍ତ୍ରୀଜାତିକୁ ନେଇ ବ୍ୟଙ୍ଗବିଦ୍ରୂପର ଏକ ମନୋବୃତ୍ତି ଦେଖାଯାଏ । ନିଜର ସ୍ତ୍ରୀକୁ ନେଇ ମଧ୍ୟ ଅନେକ ଲେଖକ ନାନା ଭାବେ ଥଟ୍ଟାତାମସା କରି ତାକୁ ବ୍ୟଙ୍ଗବିଦ୍ରୂପର ଶରବ୍ୟ କରିଥାନ୍ତି । ତୁମର ରଚନାରେ ଏସବୁ ମୋଟେ ରହିଲା ନାହିଁ ଏବଂ ସାମୂହିକଭାବରେ ହାସ୍ୟସାହିତ୍ୟର ଏକ ହିତକର ବାତାବରଣ ସୃଷ୍ଟି ହୋଇପାରିଲା । ଯଦି ଏହାର ଅନ୍ୟଏକ ଦିଗ ବିଚାର କରାଯାଏ, ସେଥିରେ ତୁମ ପ୍ରତି ଆକ୍ଷେପ ହୋଇପାରେ ଯେ ତୁମ ଭଳି ଅସଂସାରୀ ସନ୍ନ୍ୟାସୀ ପୁଣି ନାରୀ ବିଷୟରୁ ଜାଣେ କ’ଣ ଯେ ସେ ସେମାନଙ୍କୁ ସାମିଲ କରି ରଚନା କରିବ ? ସେମାନଙ୍କୁ ଆଣିଲେ ଅତି ଅବାସ୍ତବ କରି ଉପସ୍ଥାପିତ କରିଥାନ୍ତ । ଏପରି ଆକ୍ଷେପ କରୁଥିବାର ମଣିଷ ଯଦି କେଉଁଠି ଥାଆନ୍ତି, ସେମାନଙ୍କ ଲାଗି ଜବାବ ମଧ୍ୟ ତୁମେ ରଖିଯାଇଛ । ତୁମର ପ୍ରଥମ ଉପନ୍ୟାସ ‘ନାକଟା ଚିତ୍ରକର’ଠାରେ, ଯାହାର ନାୟିକା ଭିତରେ ତୁମର ନାରୀ ଚରିତ୍ର ଉପରେ ଅନ୍ତର୍ଦୃଷ୍ଟି ବେଶ୍‌ ପ୍ରକଟ ହୋଇପାରିଛି । ଏହି ରଚନାଟି ଅବଶ୍ୟ ହାସ୍ୟରସାତ୍ମକ ନୁହେଁ, ପୁରାପୁରି ବିୟୋଗାତ୍ମକ । କିନ୍ତୁ ଲେଖକ ହିସାବରେ ଏଥିରେ ନାରୀଚରିତ୍ର ଜରିଆରେ ତୁମର ଅନ୍ତର୍ଦୃଷ୍ଟି ବିଷୟରେ ସନ୍ଦେହ ରହେନା ଏବଂ ମନେ କରିଥିଲେ ଏହିପରି ଆହୁରି ଅନେକ ଚରିତ୍ର ତୁମର ହାସ୍ୟରଚନା ମଧ୍ୟରେ ମଧ୍ୟ ସୃଷ୍ଟି କରିପାରିଥାନ୍ତ, ଏଥିରେ ମଧ୍ୟ ସନ୍ଦେହ ରହେନା ।

 

ତୁମର ପ୍ରବଳ ବାସନା ଥିଲା ଓଡ଼ିଆ ସାହିତ୍ୟ ପଣ୍ଡିତମାନଙ୍କ ପାଖରେ ଲେଖକ ଭାବରେ ପରିଚିତ ହେବାକୁ । ତାହା ହୋଇପାରି ନାହିଁ ବୋଲି କେତେ ଅବଶୋଷ କରିଛ । ଯେଉଁମାନଙ୍କୁ ଆଜି ସ୍ୱୀକୃତି ମିଳୁଛି ଓ ସମ୍ମାନ ଦିଆଯାଉଛି ସେମାନେ ସମସ୍ତେ ଯେ ତୁମଠାରୁ ବେଶି ପ୍ରତିଭାସମ୍ପନ୍ନ ତାହା ବିଶ୍ୱାସ ହୁଏନାହିଁ । ଅନେକ ବଡ଼ ବଡ଼ କବି ଓ ଲେଖକ, ଭଲଟାୟାର, ସେଲି, ଅସ୍କାର ଓ୍ୱାଇଲ୍‌ଡ଼୍‌ ଓ ଗେଟେଙ୍କ ଭଳି ସ୍ରଷ୍ଟା ମଧ୍ୟ ସମସାମୟିକ ସ୍ୱୀକୃତିରୁ ବଞ୍ଚିତ ରହିଗଲେ । ଯେଉଁମାନେ ସେମାନଙ୍କୁ ଅସ୍ୱୀକାର କରିଥିଲେ, ସେମାନେ ଆଜି କାଳର ଅତଳ ଗର୍ଭରେ ଲୀନ ହୋଇଯାଇଛନ୍ତି, ଅଥଚ ଏହି ପ୍ରତିଭାସମ୍ପନ୍ନ ଲେଖକମାନେ ହିଁ ଅମର ହୋଇଛନ୍ତି । ଆଉ ଗୋଟାଏ ବାଧା ହେଉଛି ଲୋକପ୍ରିୟତା ସଙ୍ଗେ ସାମ୍ଭ୍ରାନ୍ତ୍ୟର ଚିର ବିରୋଧ । ସ୍ୱୀକୃତ ସାହିତ୍ୟ ବେଶି ସାମ୍ଭ୍ରାନ୍ତ୍ୟ ପର୍ଯ୍ୟାୟର । ପୁଣି ଯେଉଁ ବିଭାଗକୁ ତୁମେ ଜାବୁଡ଼ି ଧରିଲ ଆଜୀବନ, ତହିଁରେ ସ୍ୱୀକୃତି ପାଇବା କାଠିକର ପାଠ । ‘ଆଳୁକୁଚି ମାଳୁକୁଚି’ ଲେଖି କେହି କ’ଣ ଭାଜନ ହୋଇପାରେ ? ପୃଥିବୀର ବଡ଼ ବଡ଼ ହାସ୍ୟସ୍ରଷ୍ଟାଙ୍କୁ ମଧ୍ୟ ତାଙ୍କର ଜୀବଦ୍ଦଶାରେ କେଉଁଠାରେ ସମାଦାର ମିଳିନାହିଁ । ତଥାପି ସେମାନଙ୍କର ସୃଷ୍ଟି ବ୍ୟର୍ଥ ହୋଇଯାଇ ନାହିଁ । ତୁମର ଏହି ଆଜୀବନ ତପସ୍ୟା ମଧ୍ୟ ବ୍ୟର୍ଥ ହୋଇ ନପାରେ । ରୋମା ରୋଲାଙ୍କ ଭାଷାରେ-

"A gret soul struggles all its lifelong in sorrow to divert your idleness, for an hour."

 

ନିଜେ ଦୁଃଖ ସହି ତୁମେ ଆମକୁ ଆନନ୍ଦ ବିତରଣ କରିଛ । ଆମର ଅବସନ୍ନ ମନକୁ କିଛି ଆମୋଦ ଦେଇଛ । ହାସ୍ୟରସର ଧ୍ରୁବତାରା ଆଡ଼କୁ ଅନାଇଁ ମଙ୍ଗ ମୋଡ଼ୁ ମୋଡ଼ୁ ତୁମର ଜୀବନର ଫୁଟାଡଙ୍ଗାରେ ପାଣି ପଶିଯାଇଛି, ତୁମେ ଯେତିକି ପାରିଛ ପାଣି ବୋହିଛ ହେଲେ ଶେଷକୁ ଦୁଇ ହାତ ଟେକି ନିଜର ଇଷ୍ଟଦେବ ଓ ତୁମର ପ୍ରିୟ ପାଠକମାନଙ୍କୁ ନମସ୍କାର ଜଣାଇଛ । ଗୋଟିଏ ଜୀବନ ମଧ୍ୟରେ ଯେତିକି ମାନବିକତା, ମହତ୍ୱ ଚରିତ୍ର ଓ ସହୃଦୟତା ସମ୍ଭବ ସବୁ ତୁମେ ଜଣେ ଆଦର୍ଶ ବ୍ୟକ୍ତି ଭାବରେ ଦେଖାଇଗଲ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତୁମର ସଂକଳ୍ପ ଅଟଳ ରହିଲା । ବାରମ୍ବାର ଶାରୀରିକ ଓ ମାନସିକ ଧକ୍କା ଖାଇ ଖାଇ ତୁମେ ଧୈର୍ଯ୍ୟ ହରାଇ ନାହିଁ । ତୁମେତ ପାଠକମାନଙ୍କୁ ନମସ୍କାର ଜଣାଇ ଗଲ । ଏଣିକି ସେମାନେ ତୁମର ସ୍ମୃତି ରକ୍ଷା କରିବେ, ତୁମର ଅବଦାନକୁ କୃତଜ୍ଞତା ସହକାରେ ସ୍ମରଣ କରିବେ, ତୁମର ସୃଷ୍ଟିକୁ ଦେଶବିଦେଶରେ ପ୍ରସାରିତ ଓ ପ୍ରଚାରିତ କରିବେ, ଏତିକି ସେମାନଙ୍କଠାରୁ ଆଶା କରିବି ।

 

ମୋତେ ତୁମ ସମ୍ବନ୍ଧରେ ଖଣ୍ଡିଏ କ୍ଷୁଦ୍ର ପୁସ୍ତିକ ରଚନା କରିବାର ଦାୟିତ୍ୱ ଦେଇଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତି କୃତଜ୍ଞତା ଜଣାଉଛି । ଭାବୋଚ୍ଛ୍ୱାସ, ଶୋକର ସନ୍ତାପକୁ ଅତିକ୍ରମ କରି ତୁମ ବିଷୟରେ ଦିଧାଡ଼ି ଲେଖିବାକୁ ବହୁତ ବିଳମ୍ବ ହୋଇଗଲା । ବାରମ୍ବାର ତାଗିଦା ଦେଇ ମଧ୍ୟ ଏକାଡେମୀ ଧୈର୍ଯ୍ୟ ଧରି ମୋ ଲାଗି ଅପେକ୍ଷା କରିଛନ୍ତି ବୋଲି ମୁଁ ଆହୁରି ବେଶି କୃତଜ୍ଞତା ଜଣାଉଛି । ଯାହା ଲେଖିଛି ତହିଁରୁ ଅନେକ ବେଶି ଲେଖିବାକୁ ବାକି ରହିଗଲା ବୋଲି ମନେ ହେଉଛି, କିନ୍ତୁ କାମଟି ଆଗ ଶେଷ କରିଦେବା ଭଲ ବୋଲି ଏଇଠି ଡୋରି ବାନ୍ଧିଦେଲି । ମୁଁ ତୁମର ଚିରସ୍ତାବକ, ତୁମର ପ୍ରତିଭାର ପୂଜାରୀ ଏବଂ ତୁମର ସ୍ନେହଧନ୍ୟ । ଯେତିକି ମୁଁ ତୁମ ସଂସ୍ପର୍ଶରେ ଆସିଛି, ସେତେକ ମୋ ଜୀବନର ପରମ ସୌଭାଗ୍ୟ ବୋଲି ମୁଁ ମନେକରେ । ସ୍ୱର୍ଗରୁ ଥାଇ ତୁମେ ତୁମର ସବୁ ଅନୁସରଣିଆଙ୍କୁ ଆଶୀର୍ବାଦ କର ଯେ ଆମେ ଯେମିତି ତୁମର କାମକୁ ଠିକ୍‌ ବାଟରେ ଚଳାଇ ଜୀବନ ଉତ୍ସର୍ଗ କରୁ ।

ସ୍ନେହାଧୀନ

ହେମକାନ୍ତ

 

Unknown

ହାସ୍ୟ-ବ୍ୟଙ୍ଗ ବିଷୟରେ ସାଧାରଣ କଥା

କୁହାଯାଇଥାଏ, ମନୁଷ୍ୟ କାନ୍ଦି କାନ୍ଦି ଜନ୍ମ ହୁଏ, କିନ୍ତୁ ହସିବା ସକାଶେ ତାକୁ କିଛିଟା ଅନୁଭବ, କିଛି ଶିକ୍ଷା ଲାଭ କରିବାକୁ ହୁଏ । ପୁଣି ହସିପାରନ୍ତି ସମସ୍ତେ କିନ୍ତୁ ହସାଇବା ଲୋକ ବହୁତ କମ୍‌ । ହାସ୍ୟ ବିଷୟରେ କେତେ ତତ୍ତ୍ୱ, କେତେ ବିଚାର ଦେଖିବାକୁ ମିଳେ କିନ୍ତୁ ହାସ୍ୟ ବିଷୟରେ ସବୁ ପ୍ରଶ୍ନର ସଠିକ ଉତ୍ତର ଖୋଜିଲେ ମିଳେନାହିଁ । କେହି କହି ପାରିବ ନାହିଁ ଲୋକେ କାହିଁକି ହସନ୍ତି । ସମାନ କଥାରେ କେହି ହସେ, କେହି ହସେନା । ହସ କ’ଣ ଶାଶ୍ୱତ ନା କେବଳ ତାତ୍‌କାଳିକ ? ସେ ସର୍ବତ୍ର ସମାନ, ନା ସ୍ଥାନକାଳ ପାତ୍ର ଭେଦରେ ତାହାର ପ୍ରକୃତି ଭିନ୍ନ ଭିନ୍ନ ? ସାନସାନ ପିଲାଙ୍କୁ ଯାହା ହସାଇପାରେ, ତାହା ଯୁବାକାଳେ ବା ବୁଢ଼ାଦିନେ କାହିଁକି ହସାଇପାରେନା ? ପୁଣି କୌଣସି ସମାଜର ବିଭିନ୍ନ ଶ୍ରେଣୀ ମଧ୍ୟରେ ହସର ଉଦ୍ରେକ ଲାଗି ଭିନ୍ନ ଭିନ୍ନ କାରଣ କାହିଁକି ଦେଖାଯାଏ ? ଶିକ୍ଷିତ ଲୋକଙ୍କ ଲାଗି ହସକଥା କ’ଣ ଅଶିକ୍ଷିତ ବା ଅଳ୍ପଶିକ୍ଷିତଙ୍କ ପାଇଁ ମଧ୍ୟ ପ୍ରଯୋଜ୍ୟ ହୋଇପାରିବ ? ପୂର୍ବକାଳର ହାସ୍ୟକର ଘଟଣାମାନ ପରବର୍ତ୍ତୀ କାଳରେ ଲାଗୁ ହେବ ନା ନାହିଁ ? ରାଜାରାଜୁଡ଼ା କାଳର କୌତୁକିଆ କଥାମାନ ଗଣତନ୍ତ୍ର ବେଳେ ସମାନ ଭାବେ ଉପଯୋଗୀ କି ନାହିଁ ? ଭରତମୁନି କହିଗଲେ, ‘ଶୃଙ୍ଗାରାନୁକୃତିର୍ଯାତୁ ସ ହାସ୍ୟସ୍ତୁ ପ୍ରକୀର୍ତ୍ତିତଃ’ ଅଥବା ହାସ୍ୟ ହେଉଛି ଶୃଙ୍ଗାରର ଅନୁଗାମିନୀ କ୍ରିୟା । ପୁଣି ସେ ନାନା ବିକୃତିକୁ ହାସ୍ୟରସର ଉତ୍ସ ବୋଲି ଚିହ୍ନିତ କରିଛନ୍ତି । ପ୍ରାଚୀନ ପଣ୍ଡିତମାନେ ଛଅ ପ୍ରକାରର ହାସ୍ୟର ଉଲ୍ଲେଖ କରିଛନ୍ତି । ଜ୍ୟେଷ୍ଠମାନଙ୍କ ପାଇଁ ‘ସ୍ମିତ’ ଓ ‘ହସିତ’ ଏହି ଦୁଇ ପ୍ରକାର ମୃଦୁ ପ୍ରକୃତିର ହାସ୍ୟ, ମଧ୍ୟମ ପ୍ରକାରର ବ୍ୟକ୍ତିଙ୍କ ଲାଗି ‘ବିହସିତ’ ଓ ‘ଅବହସିତ’ ଏ ଦୁଇ ପ୍ରକାର ପ୍ରକାଶ୍ୟ ହସ୍ୟ ଓ ନୀଚ ଶ୍ରେଣୀର ଲୋକଙ୍କ ଲାଗି ‘ଅପହସିତ’ ଓ ‘ଅତି-ହସିତ’ ଏ ଦୁଇପ୍ରକାରର ଟିକିଏ ଅତିରଞ୍ଜିତ ହସ୍ୟ । ସାହିତ୍ୟ ଦର୍ପଣକାର ବିଶ୍ୱନାଥ କବିରାଜ ଏସବୁ ହସ୍ୟର ଲକ୍ଷଣମାନ ବର୍ଣ୍ଣନା କରିଛନ୍ତି । ସ୍ମିତର ଅଳ୍ପ ଅଧର ସ୍ପନ୍ଦନ ଓ ନେତ୍ରର ତୁଳନୀୟ ବିକାର, ଅଳ୍ପଦାନ୍ତ ଦିଶୁଥିବା ‘ହସିତ’, ମଧୁର ସ୍ୱରର ହସକୁ ‘ବିହସିତ’, କାନ୍ଧ ଓ ମଥା ହଲୁଥିବା ‘ଅବହସିତ’, ହସି ହସି ଗଡ଼ିଯିବା, ଲଙ୍ଗଳା ମୁକୁଳା ହୋଇ ହସିଯିବା ‘ଅତିହସିତ’ ହୋଇଥାଏ । ପାଶ୍ଚାତ୍ୟ ଆଲୋଚକମାନେ ହାସ୍ୟ ‘ତରଙ୍ଗର’ ଉଦ୍ଦୀପନ ଓ ପ୍ରକାଶକୁ ବିଶ୍ଳେଷଣ କରି କେତେଟା ମାଂସପେଶୀ କେଉଁ ଭାବରେ ପ୍ରଭାବିତ ହୋଇଥାଏ ତାହା ଦେଖାଇଛନ୍ତି । ହ୍ୟୁମର୍‌, ଓ୍ୱିଟ୍‌, ଆଇରନୀ, ସାଟାୟାର, ପ୍ୟାରୋଡି, ସ୍ଳାପ୍‌ଷ୍ଟିକ, ଲାମ୍ପୂନ, ଫାର୍ସ ଅନେକ ପ୍ରକାରଭେଦ ମଧ୍ୟ ସ୍ୱୀକୃତ ଲାଭ କରିଛି । ବର୍ଗସଁ, ନିକୋଲ୍‌, ଲକ୍‌ଓ ଫ୍ରୟେଡ଼୍‌ଙ୍କୁ ହାସ୍ୟର ତତ୍ତ୍ୱବିଦ୍‌ ବୋଲି କୁହାଯାଏ । ବର୍ଗସଁ ହ୍ୟୁମର୍‌ର ମୂଳ କାରଣ ମଧ୍ୟରେ ଅସଙ୍ଗତି ସଙ୍ଗେ ସଙ୍ଗେ ଏକ ଅନ୍ତର୍ନିହିତ ସହାନୁଭୂତି କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ହ୍ୟୁମର୍‌ ମଧ୍ୟରେ ଏକ ବିଷର୍ଣ୍ଣତା ଅଛି ଯାହାକି ମଣିଷର ଜୀବନଯାତ୍ରା ବିଷୟରେ, ତାହାର ନିଷ୍ଫଳ ଚେଷ୍ଟା ଦେଖିବାରେ ଦୁଃଖାନୁଭୂତି ଫଳରେ ଜନ୍ମ ହୁଏ ବୋଲି ନିକୋଲ୍‌ କହିଛନ୍ତି । ଏ ବିଷର୍ଣ୍ଣତା କିନ୍ତୁ ହ୍ୟୁମର୍‌ର ସ୍ରଷ୍ଟାର ନିଜର ଜୀବନର ଦୁଃଖରୁ ଆସେ ନାହିଁ, ଆସେ ମନୁଷ୍ୟ ପ୍ରତି ତାହାର ସହାନୁଭୂତି ସକାଶେ । ଫ୍ରୟେଡ଼୍‌ ସଦାବେଳେ ନିଜର ସାଇକୋ ଆନାଲିସିସ୍‌ର ଦୃଷ୍ଟିରୁ ଏକ ଇଚ୍ଛାପୂର୍ତ୍ତି କଥା କହିଥାନ୍ତି । ହ୍ୟୁମରର ବ୍ୟାଖ୍ୟା ମଧ୍ୟ ସେହି ଭାବରେ ସେ କରିଛନ୍ତି । ଯେଉଁମାନେ ଖୁବ୍‌ ପ୍ରତିପତ୍ତିଶାଳୀ, ସମ୍ମାନିତ ଓ ନେତୃସ୍ଥାନୀୟ, ସେମାନଙ୍କର ଗୋଡ଼ ଖସିଗଲେ ସାଧାରଣ ଦେଖଣାହରୀ ଜନତାଙ୍କ ମନରେ ଆମୋଦ ସୃଷ୍ଟି ହୁଏ । ପୁଣି ମନରେ ଅବଦମିତ କୌଣସି ଆକାଙ୍‌କ୍ଷା ଯେବେ ହଠାତ୍‌ ପୂରଣ ହୋଇଯାଏ ତେବେ ଆପେ ଆପେ ତାହା ବୁଦ୍‌ବୁଦ ପରି ହସ ହୋଇ ବାହାରି ଆସେ । ପୁଣି ହ୍ୟୁମର ଏକ ପ୍ରତିଶୋଧର ଆୟୁଧ ହୋଇ ଦେଖା ଦେଇପାରେ । ତେଣୁ ନିର୍ମଳ, ପବିତ୍ର ଭାବଠାରୁ ଆରମ୍ଭ କରି କୁତ୍ସିତ ବିକୃତ ଦେଇ ଅଭିସନ୍ଧିମୂଳକ ଘୋର ଶତୃତା ପର୍ଯ୍ୟନ୍ତ ଏହାର ପରିବ୍ୟାପ୍ତି ରହିଛି । ହାସ୍ୟତତ୍ତ୍ୱ ଉପରେ ତୁଳନାତ୍ମକ ବିଚାର ଆମର ଉଦ୍ଦେଶ୍ୟ ନୁହେଁ, କେବଳ ପ୍ରସଙ୍ଗକ୍ରମେ କେତେକ ସୂଚନା ମାତ୍ର ଦେବାକୁ ହେଉଛି । ହ୍ୟୁମର ବୁଦ୍ଧିଦୀପ୍ତ ହେଲେ ତାହା ହୋଇଯାଏ ଓ୍ୱିଟ୍‌ । ବୁଦ୍ଧିଦୀପ୍ତ ହାସ୍ୟ ରସରେ ଟିକିଏ ନୈବ୍ୟକ୍ତିକତା ଅଛି କାରଣ ଏଠାରେ ସ୍ରଷ୍ଟା ନିଜକୁ ଭିନ୍ନ କରିରଖିଥାଏ । ସେହିପରି ଅର୍ଥକୁ ଅନ୍ୟଅର୍ଥରେ ପରିଣତ କରି ବକ୍ରୋକ୍ତି କଲେ ତାହା ଆଇରନୀ ହୋଇଯାଏ । ଘଟଣାକ୍ରମେ ଅଭିପ୍ରେତ ବା ଅପେକ୍ଷିତ ପରିଣତି ଯେବେ କୌଣସି କାରଣରୁ ଓଲଟିଯାଏ ତାହା ମଧ୍ୟ ଆଇରନୀ ନାମରେ ଅଭିହିତ ହୋଇଥାଏ, କିନ୍ତୁ ହାସ୍ୟରସର ଆଇରନୀ କେବଳ ଜଣକର ବୋଧରେ ଥିବା ଅର୍ଥକୁ ଅନ୍ୟ ଏକ ଦୃଷ୍ଟିରୁ ନିହିତାର୍ଥରେ ଓଲଟାଇ ଦେଇ ପ୍ରକାଶିତ ହୋଇଥାଏ । ଏଥିରେ ମଧ୍ୟ ବୁଦ୍ଧିର ଅବଦାନ ଅଧିକ । ମମ୍ମଟଙ୍କର ଉଦାହରଣଟି ଏହାକୁ ବୁଝାଇ ପାରିବ । ସେ କହିଲେ,

‘ଉଷ୍ଟ୍ରାଣାଂ ଲଗ୍ନ ବେଳାୟାଂ ଗର୍ଦ୍ଦଭାଃ ଶାନ୍ତି ପାଠକାଃ

ପରସ୍ପରଂ ପ୍ରଶଂସନ୍ତି ଅହୋ ରୂପଂ ଅହୋ ଧ୍ୱନୀମ୍‌’

( ଓଟମାନଙ୍କର ବିବାହରେ ଗଧ ହେଲେ ପୁରୋହିତ । ସେମାନେ ପରସ୍ପରଙ୍କର ପ୍ରଶଂସା କରୁଛନ୍ତି କି ସୁନ୍ଦର ରୂପ ଓଟଙ୍କର ଓଃ କି ସୁନ୍ଦର କଣ୍ଠସ୍ୱର ଗଧଙ୍କର ! )

 

ଏହାପରେ ଆସୁଛି ସାଟାୟାର୍‌ ବା ବିଦ୍ରୂପଧର୍ମୀ ବ୍ୟଙ୍ଗ ପ୍ରସଙ୍ଗ । ବ୍ୟଙ୍ଗ ମୁଖ୍ୟତଃ ସଂସ୍କାରକାମୀ । ଏହା ଦୋଷକୁ ଘୃଣାକରେ, ଦୋଷୀକୁ ନୁହେଁ । ବ୍ୟଙ୍ଗ ହେଉଛି ଏକ ମିଶ୍ରି ତିଆରି ଛୁରୀ । ଆଘାତ ହାଣିବା ସତ୍ତ୍ୱେ ବ୍ୟଙ୍ଗ ତାହାର ମାଧୁରିମା ଛାଡ଼ିପାରେ ନାହିଁ । ଅନେକ ସମୟରେ ବ୍ୟଙ୍ଗର ଶରବ୍ୟ ବା ଶିକାର ସ୍ୱୟଂ ବ୍ୟଙ୍ଗକୁ ଉପଭୋଗ କରିଥାଏ । ସେପରି ସ୍ଥଳେ ଈର୍ଷା, ଅସୂୟା ହିଂସାରୁ ପ୍ରେରଣା ନଥାଇ ମାନବ କଲ୍ୟାଣର ଭାବନାରୁ ହିଁ ଏହାର ବିକାଶ ହେବା ବିଧେୟ । ତୁଚ୍ଛା ଆଘାତ ଦେଇ ଲୋକଙ୍କୁ ରକ୍ତାକ୍ତ ନକରି ସମାଜର ତ୍ରୁଟିବିଚ୍ୟୁତ ରୂପକ ଆବର୍ଜନା ସଫାକରିବା ହିଁ ବ୍ୟଙ୍ଗର ମହତ୍‌ ଉଦ୍ଦେଶ୍ୟ ହୋଇପାରେ । ଏହାଛଡ଼ା କୌତୁକ ବା ଫନ୍‌ ଏକ ହାସ୍ୟବିଭାଗ ଯହିଁରେ କୌଣସି ଲଗାମ୍‌ନଥାଏ । ଏହାର କେବଳ ହସାଇବା ଭିନ୍ନ ଅନ୍ୟ ଉଦ୍ଦେଶ୍ୟ ନଥାଏ । ସୁଆଙ୍ଗର ଦୁଆରି ଓ ସର୍କସ୍‌ର ଜୋକର୍‌ ଏହାର ଉଦାହରଣ, ପ୍ରୟୋଗିକ ଦିଗରୁ ଗୋଟିଏ ଲୋକପ୍ରିୟ ବିଭାଗ ହେଉଛି ଅନୁକରଣ ବା ହନୁକରଣ ବା ପାରୋଡି । କୌଣସି ପ୍ରସିଦ୍ଧ ପଂକ୍ତିର ହାସ୍ୟାସ୍ପଦ ଅନୁକୃତି ହେଉଛି ପାରୋଡି ବା ଓଡ଼ିଆରେ ଲାଳିକା । ଫକୀରମୋହନଙ୍କର

‘କଜ୍ଜ୍ୱଳ-ପୂରିତ ଲୋଚନ ଭାଲେ

ଗୁଣ୍ଡିମିଶା ଖିଲି ଗୁଞ୍ଜିତ ଗାଲେ’,

 

ଏହାର ଉଦାହରଣ, କିନ୍ତୁ ମୂଳ ପଂକ୍ତି ବା କବିତା ବିଷୟରେ ଧାରଣା ନଥିଲେ ଲାଳିକାର ଉପଭୋଗ ଅସମ୍ଭବ ହୋଇଥାଏ । ବୋଧହୁଏ ଏହି କାରଣରୁ ବର୍ତ୍ତମାନ ଲାଳିକା ଏତେ ଦେଖିବାକୁ ମିଳେନାହିଁ । ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଫତୁରାନନ୍ଦ ବହୁ ଲାଳିକା ରଚନା କରି ଲୋକଙ୍କୁ ଆନନ୍ଦ ଦେଇଛନ୍ତି । ଓଡ଼ିଆ ସାହିତ୍ୟରେ ଫାର୍ସ ( ପ୍ରହସନ ) ଯାତ୍ରା ଓ ନାଟକ କ୍ଷେତ୍ରରେ ଦେଖାଯାଏ, ମିମିକ୍ରି ବା ଅନୁକରଣ ମଧ୍ୟ ମୂକଅଭିନୟରେ ଅଧିକ ଦେଖାଯାଏ । ପାଲାବାଲା ମଧ୍ୟ କାବ୍ୟ ଆଦି ଆଲୋଚନା ମଧ୍ୟରେ ମିମିକ୍ରି ବ୍ୟବହାର କରନ୍ତି ।

 

ହସର ପ୍ରକୃତିକୁ ବିଶ୍ଳେଷଣ କରି ତାହାଲାଗି ନାନା ତତ୍ତ୍ୱ ବାଢ଼ିବାକୁ ମଣିଷର ଚେଷ୍ଟାର ଅନ୍ତ ନାହିଁ । ଗମ୍ଭୀର ମୁଖରେ ବିଶ୍ୱବିଦ୍ୟାଳୟର ବିଦ୍ୟାଭିମାନୀ ପଣ୍ଡିତମ୍ମନ୍ୟ ବକ୍ତାମାନେ ହାସ୍ୟରସର ଶବମାଇନା କରୁଥିବାର ଦୃଶ୍ୟଟି ବଡ଼ ହାସ୍ୟକର ଓ ଉପଭୋଗ୍ୟ, ଅଧିକାଂଶ ବିଶ୍ଳେଷଣ କେବଳ ଅନଧିକାର ଚର୍ଚ୍ଚା । ‘ରସ ନ ଚିହ୍ନି ହେଉ ରସିକେ ଗଣାରେ’ କହିଥିଲେ ଯାତ୍ରାର ନିୟତି ‘ଆରେ ତୁ ଦିନ କଣା !’ କିଏ କହେ ହାସ୍ୟ ବୋଲିକରି କିଛି ବସ୍ତୁ ନାହିଁ, ତୁଚ୍ଛା ପେଟର ହାବୁକାଏ ପବନ, ଗୋଟାଏ ଭ୍ରମ, ମୂର୍ଖମାନଙ୍କର ମନ ବହଲିଆ କଥା, ମୋଟେ ଧର୍ତ୍ତବ୍ୟ ନୁହେଁ । ପୁଣି କିଏ କହେ ପରିପାର୍ଶ୍ୱ ହିଁ ହାସ୍ୟର ଉଦ୍ରେକ କରିଥାଏ, ମନୁଷ୍ୟତ ନିମିତ୍ତ ମାତ୍ର । ସେସବୁ ଆଲୋଚନା ଯେ ବିଲ୍‌କୁଲ୍‌ ଅଦରକାରୀ ତାହା ମୁଁ କହୁନାହିଁ, ତେବେ ଏ ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ନିଷ୍କର୍ଷ ଦୃଷ୍ଟିଗୋଚର ହେଉନାହିଁ । ଏଣେ ହାସ୍ୟ ତା’ର ସେହି ପୁରୁଣା ସ୍ଥାନରେ ସ୍ଥିତାବସ୍ଥାରେ ରହିନାହିଁ । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ରଚନା କାଳରେ ହୁଏତ ଏହା ଶୃଙ୍ଗାର ରସର ଏକ ଗୌଣ ଭାବ ହୋଇ ରହିଥିବ, କିନ୍ତୁ ବର୍ତ୍ତମାନ କାଳରେ ତାହାର ଏକ ସ୍ୱତନ୍ତ୍ର ରୂପ ବାହାରି ଆସିଲାଣି ଏବଂ ତାହା ଏକ ମୁଖ୍ୟରସର ଭୂମିକାରେ ଅବତୀର୍ଣ୍ଣ ହୋଇସାରିଲାଣି ଯାହାକି ଶୃଙ୍ଗାର ରସଠାରୁ ବହୁଦୂରକୁ ଚାଲିଗଲାଣି । ତାହାର ଗତିଶୀଳତା, ଚଳମାନତା ହିଁ ତାହାର ପ୍ରାଣଚଞ୍ଚଳତାର ପ୍ରମାଣ । ଆଜିର ହାସ୍ୟ ମଧ୍ୟରେ ରହିଛି ହାସ୍ୟ-ଯୋଗ, ହାସ୍ୟ-ଚିକିତ୍ସା, ହାସ୍ୟଭିତ୍ତିକ ଶିକ୍ଷାପଦ୍ଧତି ଏବଂ ଲୋକ ଚରିତ୍ର ବିଷୟରେ ଜ୍ଞାନଲାଭ । ଆଧୁନିକ ଗବେଷଣାରୁ ହାସ୍ୟ ବିଷୟରେ ଏତଦ୍‌ପୂର୍ବରୁ ନାନା ଅଜ୍ଞାତ ସତ୍ୟ ଉଦ୍‌ଭାବିତ ହୋଇଛି । ଶାରୀରିକ, ମାନସିକ ଓ ସାମାଜିକ କ୍ଷେତ୍ରରେ ହାସ୍ୟର ଉପଯୋଗିତା କଥା ଏବେ ବୈଜ୍ଞାନିକ ଦୃଷ୍ଟିରୁ ପ୍ରମାଣିତ ହୋଇଛି । ହାସ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଆଗରୁ ଜଣାଅଛି । ଓ୍ୱିଲିଅମ୍‌ ଫ୍ରାଇ ନାମକ ମନୋଚିକିତ୍ସକ କହନ୍ତି ଯେ ପେଟ ଫଟାଇବା ଭଳି ହସ ମାଂସ ପେଶୀକୁ ସକ୍ରିୟ ରଖେ, ହୃତ୍‌ପିଣ୍ଡର ଗତିବେଗ ବଜାଇ, ନିଃଶ୍ୱାସ ପ୍ରଶ୍ୱାସକୁ ଗଭୀରତର କରେ ଏବଂ ଅକ୍ସିଜେନ୍‌ର ବିନିମୟକୁ ବୃଦ୍ଧିକରେ । ଅର୍ଥାତ୍ ଖେଳ ବା ବ୍ୟାୟାମର ଉପକାରିତା ଯାହା, ତୁଚ୍ଛା ହସିପାରିଲେ ସେହି ଉପକାରିତା ମିଳିଯାଏ । ଅଳସୁଆ, ବ୍ୟାୟାମବିମୁଖ ଲୋକଙ୍କ ଲାଗି ଏହାଠାରୁ ବଳି ସୁସମ୍ବାଦ ଆଉ ନାହିଁ ! ଆଜିର ଜୀବନ ଜଟିଳତା ଓ ବହୁ ପ୍ରକାରର ଭିଡା ଓଟରା, ନାନା ପ୍ରତିଯୋଗିତାର ଚାପଯୋଗୁ ସମସ୍ୟା ବହୁଳ ହୋଇଯାଇଛି । ଏସବୁ ଆପଦ ସଙ୍ଗେ ଲଢ଼େଇ କରିବାକୁ ହାସ୍ୟରସ ଏକ ଉତ୍ତମ ଭୂମିକା ନେଇପାରେ । ସେହି ହେତୁରୁ ହାସ୍ୟରସର ଆଧୁନିକ ରୂପରେ ଏତେ ନୂଆ ନୂଆ ବିଭାବ ଦେଖିବାକୁ ମିଳେ । ବୁଦ୍ଧିର କସରତ, ଛଳୋକ୍ତି, ବକ୍ରୋକ୍ତି, ନାନା କୌତୁକୀ ପ୍ରୟୋଗର ପରୀକ୍ଷା-ନିରୀକ୍ଷା ଅହରହ ଜାରି ରହିଛି, କେତେବେଳେ ତାହା ହସାଇ ହସାଇ ବେଦମ୍‌ କରିବାକୁ ଚେଷ୍ଟିତ ଅଛି, କେତେବେଳେ କାହାରି ଗୋଇ ଖୋଳି ଗୁମରକୁ ପଦାରେ ପକାଇବାରେ ଲାଗିଛି, କେତେବେଳେ ପରଦା ଖୋଲି ପ୍ରକୃତ ସତ୍ୟର ପରିପ୍ରକାଶ ଘଟାଇବାରେ ବ୍ୟସ୍ତ ରହିଛି । ଯାହା ଜଣାଯାଉଛି, ଯେତେ ଅବହେଳା ଥିଲେବି ହାସ୍ୟରସ ମଣିଷର ସଙ୍ଗ ଧରିଛି ଓ ତାହାର କାମ କରିଚାଲିଛି । ଏକଥା ବି ନିଶ୍ଚୟ ସ୍ୱୀକାର କରିବାକୁ ହେବ ଯେ ଉପରୁ ଉପରୁ ଯେତେ ହାଲୁକା ଜଣାପଡ଼ୁଥିଲେ ବି ହାସ୍ୟରସର ଏକ ଗଭୀରତର ଦିଗ ରହିଛି ଏବଂ ଏହାର ସୃଷ୍ଟିକର୍ତ୍ତାର ପ୍ରତିଭା ଓ ପରିଶ୍ରମ ଅନ୍ୟରକମର ସାହିତ୍ୟ ସୃଷ୍ଟି ତୁଳନାରେ କୌଣସି ଅଂଶରେ କମ୍‌ ନୁହେଁ ।

 

ଏବେ ଦେଖିବା ହାସ୍ୟରସର ଉପଭୋକ୍ତାଙ୍କର ମନୋବୃତ୍ତି କିଭଳି । ବମ୍ବେର ଜଣେ କୌତୁକାଭିନେତାଙ୍କର ବକ୍ତବ୍ୟକୁ ବଂଗଳାର ଜଣେ ଲେଖକ ନିଜର ଲେଖାରେ ଉଦ୍ଧୃତ କରିଛନ୍ତି । ସେହି ଅଭିନେତା ଥରେ ଗୋଟିଏ ‘କମେଡ଼ି’ ଚିତ୍ରର ସାଧାରଣ ପ୍ରଦର୍ଶନୀରେ ଉପସ୍ଥିତ ଥିଲେ । ସେ କହନ୍ତି, ଛବିଟି ଆରମ୍ଭ ହେବା ମାତ୍ରକେ ପ୍ରେକ୍ଷାଗୃହରେ ହାସ୍ୟରୋଳ ତୁହାକୁ ତୁହା ଉିତ୍ଥିତହୋଇ ପୁରାସମୟଟା ଭରିଦିଏ । ଦର୍ଶକମାନଙ୍କର ହସର ଢେଉ ଭିତରେ ଅନେକ ମଜାମଜା ସଂଳାପ ଅନେକ ଲୋକ ଶୁଣିପାରିନଥିଲେ, କିନ୍ତୁ ହସର ରୋକିବାର ନାଁ ନାହିଁ । ଏହା ଦେଖି ଆମର କୌତୁକାଭିନେତା ତ ମନେ ମନେ ଖୁବ୍‌ ଖୁସି ହୋଇଗଲେ । ଶୋ ଭାଙ୍ଗିବା ପରେ ସେ ଦର୍ଶକମାନଙ୍କ ପାଖରେ ବୁଲ୍‌ ବୁଲ୍‌ ହୋଇ ସେମାନେ ପରସ୍ପର ମଧ୍ୟରେ କ’ଣ କଥାବାର୍ତ୍ତା ହେଉଛନ୍ତି, କାନଡେରି ଶୁଣୁଥିଲେ । ଅଧିକାଂଶ ଦର୍ଶକଙ୍କର କହିବା କଥା : ‘ବାଜେ ଛବି, ଟ୍ରାସ୍‌ ! ତୁଚ୍ଛା ଫାଜିଲାମି ବେହେଲାମି ଭର୍ତ୍ତି । ଅଯଥା କିଛି ସମୟ ନଷ୍ଟ ହେଲା ।’ ଟିକିଏ ଆଗରୁ ହସରେ ଫାଟି ପଡ଼ୁଥିବା ମୁହଁଯାକ ରୀତିମତ ଗମ୍ଭୀର, ତହିଁରେ ବିରକ୍ତିର ଭାବ ଫୁଟି ଉଠିଛି । ବାରାନ୍ତରେ ସେହି ଅଭିନେତା ଜଣକ ଆଉ ଏକ ଦୁଃଖଭରା ଚଳଚ୍ଚିତ୍ରର ପ୍ରଦର୍ଶନୀରେ ଜଣେ ଦୁଃଖିନୀ ଝିଅର ଅଶ୍ରୁଳ କାହାଣୀ ଥିବାର ଦେଖିଥିଲେ । ଦର୍ଶକମାନେ ଏହି ମେଲୋଡ୍ରାମାଟିକୁ ‘ଚମତ୍କାର, ଖୁବ୍‌ ଏନ୍‌ଟରଟେନିଂ’ ଆଦି ମନ୍ତବ୍ୟ ଦେଇ ସ୍ୱାଗତ କରିଥିଲେ । ତାଙ୍କର ନିଷ୍କର୍ଷ ହେଲା, ଆମେ ହସିକରି ଆନନ୍ଦ ପାଉଁନା, ଆଖିଲୁହ ଭିତରୁ ଏଣ୍ଟରଟେନମେଣ୍ଟ ଖୋଜୁ ।

 

ଅନ୍ୟପକ୍ଷରେ ବହୁ ଦୁଃଖଦୁର୍ଦ୍ଦଶା ମଧ୍ୟରେ ହାସ୍ୟର ଜୟଯାତ୍ରା ଦେଖିବାକୁ ମିଳୁଛି । ବିଂଶଶତାବ୍ଦୀ ମଧ୍ୟରେ ଯେତେ ଯୁଦ୍ଧ ବିଗ୍ରହ, ଦୁଃଖ, ଦାରିଦ୍ର୍ୟ, ଅନଟନ ଉପରକୁ ସନ୍ତ୍ରାସବାଦର ବିଭୀଷିକା ଆଦି ନାନା ଦୁର୍ଦ୍ଦଶା ମାନବଜାତି ଭୋଗ କରିଛି, ତତ୍‌ପୂର୍ବରୁ ଅନ୍ୟ କୌଣସି ଶତାବ୍ଦୀରେ ଏତେଟା ଭୋଗି ନାହିଁ । ତଥାପି ସେହି ଶତାବ୍ଦୀ ମଧ୍ୟରେ ହାସ୍ୟରସର ଅମୂଲ୍ୟ ଅବଦାନମାନ ବାହାରି ଆସିଛି । ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଫିଲ୍ମ, ରେଡ଼ିଓ, ଟେଲିଭିଜନ ଆଦି ନାନା ମାଧ୍ୟମ ମଧ୍ୟରେ ଏହି ଶତାବ୍ଦୀରେ ଅଗଣିତ ହାସ୍ୟ-ପ୍ରତିଭା ବାହାରି ଆସିଥିଲେ । ସମସ୍ତଙ୍କର ତାଲିକା ଏପର୍ଯ୍ୟନ୍ତ କେଉଁଠାରେ ଲିପିବଦ୍ଧ ହୋଇନାହିଁ । ଇଂରାଜୀଭାଷୀ ଅଞ୍ଚଳରେ କେବଳ ଯେଉଁସବୁ ସୃଷ୍ଟିର ଇଂରାଜୀ ଅନୁବାଦ ରହିଛି ବା ଯାହାସବୁ ସେସବୁ ଦେଶରେ ଇଂରାଜୀରେ ଲିଖିତ ହୋଇଛି ତହିଁରେ ଅନେକ ଧୂରନ୍ଧର ଲେଖକ ଅଛନ୍ତି । ଇଂଲଣ୍ଡ ଓ ଆମେରିକାର ଲେଖକମାନଙ୍କ ମଧ୍ୟରେ ମାର୍କ ଟ୍ୱାଇନ୍‌, ଜେମ୍‌ସ୍‌ ଥର୍ବର, ଲୁଇ କାରୋଲ, ଷ୍ଟିଫେନ୍‌ ଲୀକକ, ଅଗ୍‌ଡେନ୍‌ ନାସ୍‌, ପି. ଜି ଉଡ଼୍‌ହାଉସ୍‌ ଓ ଚାର୍ଲିଚାପ୍ଳିନ୍‌ଙ୍କ ନାମ ଉଲ୍ଲେଖ କରିବି, କାରଣ ନାମର ସୂଚୀଟି ଦୀର୍ଘ ହୋଇଯାଇପାରେ । ୟୁରୋପୀୟ ମହାଦେଶର ବହୁ ପ୍ରତିଭାଙ୍କ ମଧ୍ୟରେ ଋଷିଆର ଆଣ୍ଟନ ଚେଖଭ୍‌ ଓ ଡ଼େନମାର୍କର ସର୍ଭେଣ୍ଟିସ୍‌ଙ୍କୁ ଦୃଷ୍ଟାନ୍ତରୂପେ ନିଆଯାଇପାରେ । କମିକ୍‌ ଷ୍ଟ୍ରିପ୍‌ ମଧ୍ୟରେ ୱାଲ୍ଡଡେଷ୍ଟିନୀ, ଫିଲ୍ମ ମାଧ୍ୟମରେ ବବ୍‌ ହୋପ୍‌, ଜେରୀ ଲୁଇସ୍‌, ଆବଟ୍‌-କଷ୍ଟେଲୋ ଯୋଡ଼ି, ଲରେଲ୍‌-ହାର୍ଡ଼ି ଯୋଡି, ଚାର୍ଲିଚାପ୍ଳିନ୍‌ ଓ ନର୍ମାନ୍‌ ୱିସଡ଼ମ୍‌ଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି ଶତାବ୍ଦୀ ମଧ୍ୟରେହିଁ ଓଡ଼ିଆ ସାହିତ୍ୟ ପାଇଛି ଅନେକ ବିଶାଳ ପ୍ରତିଭାଧର ହାସ୍ୟସ୍ରଷ୍ଟାଙ୍କୁ ଯାହାଙ୍କ ମଧ୍ୟରେ ଫକୀରମୋହନ, ଗୋପାଳ ପ୍ରହରାଜ, ଗୋବିନ୍ଦ ତ୍ରିପାଠୀ, ଗୋଦାବରୀଶ ମହାପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଚିନ୍ତାମଣି ମିଶ୍ର, ମଧୁ ମହାନ୍ତି ଓ ଫତୁରାନନ୍ଦଙ୍କ ବ୍ୟତୀତ ଅଦ୍ୟାପି ଲେଖନରତ ଅନେକ ହାସ୍ୟସ୍ରଷ୍ଟା ରହିଛନ୍ତି । ପରେ ସେମାନଙ୍କ ବିଷୟରେ କିଛି ଅଧିକ ଆଲୋଚନା ହେବ । ସେହିପରି ଅନ୍ୟାନ୍ୟ ରଚନା ସଙ୍ଗେ ହାସ୍ୟ ସୃଷ୍ଟି କରିଥିବା ଅନେକ ସମ୍ମାନାସ୍ପଦ ଲେଖକ ଅଛନ୍ତି ଯହିଁରେ କବିବର ରାଧାନାଥ ରାୟ ଓ ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ସାମିଲ୍‌ ହେବେ ।

 

ଆଗକାଳେ ରାଜାମହାରାଜାମାନେ ଜଣେ ଜଣେ ‘ବୟସ୍ୟ’ ( ବଦୁ ) ବା ବିଦୂଷକ ନିଯୁକ୍ତ କରୁଥିଲେ ଯାହାଙ୍କର କାର୍ଯ୍ୟ ଥିଲା ହସକଥା ଦ୍ୱାରା ମହାରାଜା ଓ ପାରିଷଦମାନଙ୍କର ମନୋରଞ୍ଜନ କରି ଦରବାର ସଭାର ଗୁରୁଗାମ୍ଭୀର୍ଯ୍ୟକୁ କିଞ୍ଚିତ ଲଘୁ କରିଦେବା । ସେମାନଙ୍କର କଥା କହିବାର ସ୍ୱାଧୀନତା ଥିଲା ଓ ସଭାର ସଣ୍ଠଣା ଅମାନ୍ୟ କଲେ ମଧ୍ୟ ତାଙ୍କୁ ସହ୍ୟ କରାଯାଉଥିଲା ବା କ୍ଷମା ମିଳୁଥିଲା । କିଞ୍ଚିତ ସ୍ୱାଧିନତା ନଥିଲେ ହାସ୍ୟ ଉଧେଇ ପାରେନା । ତଥାପି ସେମାନେ ନିଜର ସୀମା ମଧ୍ୟରେ, ଦରବାରୀ ଆନୁଗତ୍ୟ ଓ ଶାଳୀନତା ରକ୍ଷାକରି କଥା କହୁଥିଲେ । ପୁରାତନ ନାଟକମାନଙ୍କରେ ଏଇ ବୟସ୍ୟମାନଙ୍କର ଥଟ୍ଟାପରିହାସ ଓ ମନ୍ତବ୍ୟମାନ ଉପଭୋଗ୍ୟ ହୋଇଥାଏ । ପୁଣି ସେମାନେ ନିଜର ମାଲିକଙ୍କର ପଥ ପ୍ରଦର୍ଶକ ମଧ୍ୟ ହୋଇଥାନ୍ତି । ବେଳେ ବେଳେ ତାଙ୍କର ଲଘୁ ମନ୍ତବ୍ୟ ମଧ୍ୟରୁ ଗଭୀର ଦାର୍ଶନିକ ତତ୍ତ୍ୱ ବାହାରିପଡ଼େ ଏବଂ ମାଲିକଙ୍କୁ ଅନ୍ୟ ଦିଗରୁ ଚିନ୍ତାର ଖୋରାକ ଯୋଗାଇଥାଏ । ବୀରବଲ୍‌, ତେନାଲି ରାମକୃଷ୍ଣ, ଗୋପାଳ ଭାଣ୍ଡ ଓ ଯଦୁମଣି ଆଦି ଦେଶବ୍ୟାପୀ ଖ୍ୟାତି ଲାଭ କରିଛନ୍ତି ଓ ହାସ୍ୟରସ ଭିନ୍ନ ନିଜର ତୀକ୍ଷ୍ଣ ବୁଦ୍ଧିର ନିଦର୍ଶନ ଦେଇଛନ୍ତି । ଲୋକମୁଖରୁ ସଂଗୃହୀତ ସେମାନଙ୍କର ଛୋଟ ଛୋଟ କଥାମାନ ପୁସ୍ତକାକାରରେ ମିଳିଥାଏ । ତେବେ ଏଥିରେ ଜଣଙ୍କର କଥା ଅନ୍ୟ କାହାରି ମୁଖରେ ମଧ୍ୟ ଶୁଣିବାକୁ ମିଳିଥାଏ । ଆହୁରି ଅନେକ ବିଦୂଷକ ଭାରତବର୍ଷରେ ରହିଥିଲେ କିନ୍ତୁ ତାଙ୍କର ହାସ୍ୟ-ବଚନର ଏତେ ଚର୍ଚ୍ଚା ଦେଖିବାକୁ ମିଳେ ନାହିଁ । ଛୋଟ ଛୋଟ ରାଜ୍ୟର ବିଦୂଷ୍କମାନଙ୍କର ଝଟଜବାବ ଓ ଚହଟ କଥାମାନ କେଉଁଠି ଲିପିବଦ୍ଧ ହୋଇନାହିଁ । ରାଜଦରବାର ବାହାରେ ମଧ୍ୟ ଚାରଣ, କଥକ, ପାଲାବାଲା, ଦାସକାଠିଆ ଗାୟକ ଓ ଯାତ୍ରା ସୁଆଙ୍ଗର ଦୁଆରୀ, ଦୂତ ଆଦିଙ୍କର ହସକଥାସବୁ ହାସ୍ୟରସର ପରମ୍ପରାରେ ରହିଛି । ଲୋକ ସମାଜରେ ଦଣ୍ଡନାଟ, ଚଇତିଘୋଡା ନାଟ ଆଦିରେ ମଧ୍ୟ ଖୋଜିଲେ ଅନେକ ରତ୍ନ ମିଳିବ । ସେହିପରି ଢଗଢମାଳି, ପ୍ରହେଳିକା, ପ୍ରବଚନ ଆଦି ମଧ୍ୟରେ ହାସ୍ୟରସର ବହୁଳ ପ୍ରୟୋଗ ଦେଖାଯାଏ । ପୁରାଣମାନଙ୍କରେ ମଧ୍ୟ ଠାଏ ଠାଏ ହାସ୍ୟର ପ୍ରୟୋଗ ଦେଖାଯାଏ । ତେବେ ଏପର୍ଯ୍ୟନ୍ତ ଏମାନଙ୍କର ଏକତ୍ର ସଂଗ୍ରହ ଦେଖାଯାଇ ନାହିଁ ।

 

ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କର ‘ହାସ୍ୟକଲ୍ଲୋଳ’କୁ ଓଡ଼ିଆ ସାହିତ୍ୟରେ ହାସ୍ୟ-ରଚନାର ଆଦି ସ୍ୱାକ୍ଷରର ମର୍ଯ୍ୟାଦା ଦିଆଯାଏ । ଏହି ସୃଷ୍ଟିମାନ ଇଂରେଜ ଶାସନ କଳ ମଧ୍ୟରେ ରଚିତ ହୋଇଥିଲେ ବି ଏମାନଙ୍କର ରଚୟିତାଙ୍କ ଉପରେ ଇଂରାଜୀ ଭାଷାର କୌଣସି ପ୍ରଭାବ ପଡିନଥିଲା, କାରଣ ସେମାନେ ଇଂରାଜୀ ପାଠ ପଢିନଥିଲେ । ଦୁଇଟିଯାକ ସୃଷ୍ଟି ରାଜୁଡ଼ା ଶାସନର ସାମନ୍ତବାଦୀ ପରିପ୍ରେକ୍ଷୀରେ, ସେହି ରାଜନ୍ୟବର୍ଗଙ୍କର ସନ୍ତୁଷ୍ଟି ସକାଶେ ଲିଖିତ ହୋଇଥିଲା । ଏମାନଙ୍କ ପରେ ଲିଖିତ ରୂପେ ହାସ୍ୟ ସାହିତ୍ୟର ଉଲ୍ଲେଖ ଦେଖିବାକୁ ମିଳେ ନାହିଁ । ଉନବିଂଶ ଶତାବ୍ଦୀର ଶେଷ ବେଳହିଁ ହାସ୍ୟରସର ରଚନା ଲାଗି ପରିପକ୍ୱ ହୋଇଛି । ଫକୀରମୋହନଙ୍କର କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ମଧ୍ୟରେ ହାସ୍ୟବ୍ୟଙ୍ଗର ପ୍ରକୃତ ପ୍ରାଣପ୍ରତିଷ୍ଠା ହୋଇପାରିଛି । ତାଙ୍କର ହାସ୍ୟରସର ପରିଧି ମଧ୍ୟରେ ନବଜୀବନ, ନୂଆ ସଭ୍ୟମାନଙ୍କର ଚିତ୍ରଣଠାରୁ ଆରମ୍ଭ କରି ପୋଖରୀ ତୁଠର ଢଗଢମାଳି ଓ ଗ୍ରାମୀଣ ଚରିତ୍ରମାନଙ୍କର ସରଳ ବକ୍ତବ୍ୟ ଜରିଆରେ ହାସ୍ୟରସର ପରିବେଷଣ ହୋଇଛି-ଯଥା, ‘ଜମିଦାର ପଲର ସୁବଳ ମହାକୁଡ଼’ର କଥାକୁ ଏକ ବିକୃତ ଇଂରାଜୀରେ ଅନୁବାଦ: ପୁଣି ପେଟେଣ୍ଟ ମେଡିସିନ୍‌ର ସାଆନ୍ତ ଓ ସାଆନ୍ତାଣୀଙ୍କ ପ୍ରସଙ୍ଗ ଓ ଡାକମୁନସୀର ‘ଇଂରାଜୀ ଘୁଷି’ ମଧ୍ୟ ଗ୍ରାମରୁ ସହରକୁ ଆସି ହାସ୍ୟରସର ଖୋରାକ ଯୋଗାଇଛି । ଫକୀରମୋହନଙ୍କ ପରେ ଯେଉଁମାନେ ହାସ୍ୟ ସୃଷ୍ଟିକୁ ମନ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ର ( ପୋଲ ଉନ୍ମୋଚନ ), ନୀଳକଣ୍ଠ ଦାସ ( ମୋ ନିଶ ) ଏବଂ ଗୋପାଳ ପ୍ରହରାଜ ( ବାଇମାହାନ୍ତି ପାଞ୍ଜି ) ଉଲ୍ଲେଖଯୋଗ୍ୟ । ଏମାନଙ୍କ ପରେ ପରେ ଗୋବିନ୍ଦ ତ୍ରିପାଠୀଙ୍କର ବହୁ ହାସ୍ୟବ୍ୟଙ୍ଗ ସମୃଦ୍ଧ ରଚନା ଓଡ଼ିଆ ପାଠକକୁ ମଜ୍ଜାଈ ଦେଇଛି । ସ୍ମରଣରଖିବାକୁ ହେବ ଯେ ଫକୀରମୋହନଙ୍କ ପରେ ପରେ ଓଡ଼ିଶାରେ ଛାପାଖାନା, ସମ୍ବାଦପତ୍ର ଓ ପତ୍ରପତ୍ରିକାର ପ୍ରସାର ହେତୁରୁ ହାସ୍ୟ ରଚନାମାନ ଲୋକଙ୍କ ସାମ୍‌ନାକୁ ଆସିପାରିଲା । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପରେ ତାହାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଏକ ନବଜାଗରଣ ଆସିଥିଲା । ତାହାପରେ ପେଶାଦାର ରଙ୍ଗମଞ୍ଚଗୁଡିକର ପ୍ରତିଷ୍ଠା, ଉଚ୍ଚଶିକ୍ଷାର ବିସ୍ତାର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, କଟକରେ ରେଡିଓ ଷ୍ଟେସନର ପ୍ରତିଷ୍ଠା-ଏସବୁ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଘଟାଇଛନ୍ତି । ଫକୀରମୋହନଙ୍କ ପରେ ପରେ ସର୍ବାପେକ୍ଷା ପ୍ରଭାବଶାଳୀ ହାସ୍ୟସ୍ରଷ୍ଟା ଭାବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହିଁ ଉଲ୍ଲେଖ କରାଯାଏ । ତାଙ୍କର ନିଜର ବହୁମୁଖୀ ପ୍ରତିଭାର ଅଜସ୍ର ଦୃଷ୍ଟାନ୍ତ ଦେଖିବାକୁ ମିଳେ, କିନ୍ତୁ ହାସ୍ୟରସ ପ୍ରତି ତାଙ୍କର ଶ୍ରେଷ୍ଠ ଅବଦାନ ହେଲା ‘ଡଗର’ ପତ୍ରିକାର ପ୍ରତିଷ୍ଠା, ଯାହାକି ବହୁ ଦଶକଧରି ହାସ୍ୟରଚନା ପାଇଁ ଏକ ଅନନ୍ୟ ମାଧ୍ୟମ ହୋଇ ରହିଥିଲା । କାନ୍ତକବି ଲକ୍ଷ୍ମୀକାନ୍ତ ନିଜେ ଫକୀରମାହନଙ୍କଠାରେ ଋଣୀ ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି, ତଥାପି ତାଙ୍କର ‘ଅସହଯୋଗୀର ଆତ୍ମକଥା’ ଓ ‘କଣାମାମୁଁ’ ଶୀର୍ଷକ ଉପନ୍ୟାସ, ଅଜସ୍ର ଗଳ୍ପ, ଲାଳିକା ଆଦି ମଧ୍ୟରେ ନିଜସ୍ୱ ଏକ ବୁଦ୍ଧିଦୀପ୍ତ ଶୈଳୀର ସନ୍ଧାନ ମିଳେ ଯାହାକି ଏକାନ୍ତ ଭାବେ ମୌଳିକ । ଓଡ଼ିଆ ସାହିତ୍ୟରେ ହାସ୍ୟରସ ଲାଗି ସେ ଏକ ଅନୁକରଣୀୟ ଆଦର୍ଶ ହୋଇ ରହିଗଲେ ଏବଂ ତାଙ୍କ ପରବର୍ତ୍ତୀ ଏହି ପର୍ଯ୍ୟାୟରେ ସମସ୍ତ ଲେଖକ ତାଙ୍କର ପ୍ରତ୍ୟକ୍ଷ ଅଥବା ପରୋକ୍ଷ ପ୍ରଭାବ ଦ୍ୱାରା ଋଣୀ ହୋଇରହିଲେ । ଏହି ପ୍ରଭାବ ଅନ୍ତତଃ ତିନି ଦଶକ ଯାକେ ତାଙ୍କ ଅନ୍ତେ ମଧ୍ୟ ରହିଥିଲା । ରାଜନୈତିକ ବ୍ୟଙ୍ଗ ବୋଲି ଏକ ନୂତନ ପର୍ଯ୍ୟାୟ ତାଙ୍କଦ୍ୱାରା ଉଦ୍‌ଘାଟିତ ହେଲା । ତାଙ୍କର ‘ଡିମ୍ବୋକ୍ରାସି ସଭା’ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ସ୍ୱାୟତ ଶାସନ କାଳର ଭୋଟ ଲାଗି ବ୍ୟାକୁଳତାକୁ ସେ କୀର୍ତ୍ତନର ସ୍ୱରରେ ଦେଖାଇଛନ୍ତି :

 

‘ଦଶାର୍ଦ୍ଧ ବରଷ ପରେ,            ଭୋ’ଟ ଭିଖାରୀ ଥରେ

ହସିମାଗେ କରଯୋଡ଼ି ଭୋ’ଟ

ହସି ହସି କହେ କଥା,            କଥାକେ ଲୋଟଇ ମଥା

ଲାଗିଛି ଟଙ୍କାର ହରିଲୋଟ ।’

 

ଏହି ମନ୍ତବ୍ୟଟି ଆଜିସୁଦ୍ଧା ଲାଗୁ ହୋଇପାରିବ ! ତାଙ୍କର ରଚନା ଅପର୍ଯ୍ୟାପ୍ତ ଏବଂ ରସୋତ୍ତୀର୍ଣ୍ଣ । ତାଙ୍କର ଅନେକ କବିତା ଓ ଗୀତିକବିତା ତଥା ଅନ୍ୟାନ୍ୟ ରଚନା ମିଳୁନାହିଁ ବୋଲି ତାଙ୍କର ଗ୍ରନ୍ଥାବଳୀର ପ୍ରକାଶକ ଲେଖିଛନ୍ତି । ପୁଣି ଯେତିକି ମିଳିଛି, ତହିଁରେ ବିଷୟବସ୍ତୁର ବ୍ୟାପ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ନିଜର ଅନେକ ବେଦନା ଯୋଗୁରୁ ସେ ଏପରିକି ସ୍ୱାସ୍ଥ୍ୟରକ୍ଷା ଉପରେ ଗୋଟିଏ ପୁସ୍ତିକା ରଚନା କରିଥିଲେ । କିନ୍ତୁ ହାସ୍ୟରସର ରଚନା ତାଙ୍କର ସର୍ବଶ୍ରେଷ୍ଠ କୃତି । ସମସାମୟିକ ସମାଜର ନାନା କୁରୀତିକୁ ସେ ବ୍ୟଙ୍ଗବିଦ୍ରୂପରେ ଜର୍ଜର କରିଛନ୍ତି । ତାଙ୍କ ଭାଷାରେ ନିଜକୁ ‘ନିଜେ ବି + ଅଙ୍ଗ ଓ ବିଦ୍‌+ ରୂପ କରି, ନିଜେ ହାସ୍ୟାସ୍ପଦ ହୋଇ ଅନ୍ୟ ମୁଖରେ ଯେ ହସ ଫୁଟାଇପାରେ, ବ୍ୟକ୍ତିଗତ ଓ ସମଷ୍ଟିଗତ ଜୀବନର ସୁଦିନ ଓ ଦୁର୍ଦ୍ଦିନରେ ଯେ ସବୁ ପରିସ୍ଥିତିକୁ ହସହସ ମୁଖରେ ସ୍ୱାଗତ କରିପାରେ, ସେଇ ଏକା ମହାପୁରୁଷ !’ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ହେଲେ ଫତୁରାନନ୍ଦଙ୍କର ପ୍ରକୃତ ଆଦର୍ଶ, ଦୀକ୍ଷାଗୁରୁ, ପ୍ରଥମ ସ୍ୱୀକୃତିଦାତା, ପ୍ରକାଶକ ତଥା ପ୍ରେରଣା ଦାୟକ । ତାଙ୍କର ‘ଡଗର’ ପତ୍ରିକାଟି ଭଦ୍ରକରୁ କଟକକୁ ଉଠାଇ ଆଣି ଫତୁରାନନ୍ଦଙ୍କର ଗୋଟିଏ ଘରେ ରଖିଦେବା ଫଳରେ ଏହି ପତ୍ରିକାର ସେବାରେ ହିଁ ଫତୁରାନନ୍ଦଙ୍କର ପ୍ରାୟ ସମଗ୍ର ଜୀବନଟା ନିୟୋଜିତ ରହିଥିଲା । ତାଙ୍କର ‘କଣା ମାମୁଁ’ ବୋଲି ଏକ ଅସଂପୂର୍ଣ୍ଣ ଉପନ୍ୟାସ ଭଳି ଫତୁରାନନ୍ଦଙ୍କର ‘ନାକଟା ଚିତ୍ରକର’ ଉପନ୍ୟାସ ତାଙ୍କୁ ସାହିତ୍ୟ ଜଗତରେ ପରିଚିତ କରିପାରିଛି । ଏହାର ପ୍ରକାଶନ ଲାଗି ପ୍ରେରଣା ଦେଇଥିଲେ କାନ୍ତକବି । କାନ୍ତକବି ମଧ୍ୟ ବ୍ୟାଧିଗ୍ରସ୍ତହୋଇ ଆଜୀବନ ଦୁଃଖଯନ୍ତ୍ରଣା ଭୋଗ କରିଥିଲେ ମଧ୍ୟ ସେସବୁକୁ ଉପହାସ କରି ନିଜର ସୃଷ୍ଟିର ସମ୍ଭାର ବଢ଼ାଇ ପାରିଥିଲେ । ଫତୁରାନନ୍ଦ ମଧ୍ୟ ନିଜର ଅସହ୍ୟ ଦୁଃଖ ଯନ୍ତ୍ରଣାକୁ ହସରେ ଉଡ଼ାଇ ଅନ୍ୟମାନଙ୍କୁ ହସାଇବାରେ ସିଦ୍ଧହସ୍ତ ଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସଙ୍ଗେ ଫତୁରାନନ୍ଦଙ୍କର ଆଉ ଏକ ସାମଞ୍ଜସ୍ୟ ସାଧାରଣତଃ ଆଲୋଚିତ ହୋଇନଥାଏ । ସେଇଟି ହେଲା ସେ ଦୁହିଁଙ୍କର ଆଧ୍ୟତ୍ମିକ ମନୋବୃତ୍ତି । ନିଜର ପ୍ରିୟଜନଙ୍କଠାରୁ ଦୂରରେ ଥାଇ କାନ୍ତକବି ନିଜର ପ୍ରବାସ ମଧ୍ୟରେ କୁଟୀରରେ ରହି ବଙ୍ଗଳାର ପ୍ରିୟକବି କାନ୍ତକବି ରଜନୀକାନ୍ତଙ୍କର ରଚନାରୁ କୀର୍ତ୍ତନ ଗାଉଥିଲେ । ତାଙ୍କର ପ୍ରିୟ ଗୀତ ହେଇଛି, ‘କବେ ତୃଷିତ ଏ ମରୁ ଛାଡ଼ିଆ ଯାଇବ ତୋମାରି ରସାଇ ନନ୍ଦନେ ।’ ଲକ୍ଷ୍ମୀକାନ୍ତ ମହାପାତ୍ରେ ନିଜର ପରିବାରଠାରୁ ବ୍ୟାଧି ହେତୁ ଦୂରରେ ରହୁଥିଲେ । ଫତୁରାନନ୍ଦ ଆକୃତଦାର ହୋଇ ଆଜୀବନ ସନ୍ନ୍ୟାସବ୍ରତ ଧାରଣ କରି ନିଜର ଆରାଧ୍ୟ ଗୁରୁଦେବ ସତ୍ୟସାଇବାବାଙ୍କର ଧ୍ୟାନରେ ମଗ୍ନ ରହିବାକୁ ଭଲପାଉଥିଲେ । ନାନା ଭାବରେ ଫତୁରାନନ୍ଦ ଲକ୍ଷ୍ମୀକାନ୍ତଙ୍କର ଉପଯୁକ୍ତ ଦାୟାଦ ହୋଇପାରିଛନ୍ତି ।

 

ସେହି ସମୟର ଆଉ ଜଣେ ବଳିଷ୍ଠ ହାସ୍ୟ-ବ୍ୟଙ୍ଗକାର ହେଲେ ‘ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠାତା-ସାମ୍ପାଦକ ଗୋଦାବରୀଶ ମହାପାତ୍ର, ଯାହାଙ୍କର ଶାଣିତ ବ୍ୟଙ୍ଗ ରଚନାମାନ ‘ନିଆଁଖୁଣ୍ଟା’ର ପୃଷ୍ଠାରେ ଏତେ ପ୍ରଭାବଶାଳୀ ହୋଇ ପାରିଥିଲା ଯେ ସମକାଳୀନ ପ୍ରଶାସକ, ନେତା ଓ ଟାଉଟରମାନଙ୍କ ଲାଗି ଏକ ସନ୍ତ୍ରାସ ହୋଇ ପ୍ରକଟ ହେଉଥିଲା । ସେ ତତ୍‌କାଳୀନ ରାଜନୀତି ଓ ଅମଲାତାନ୍ତ୍ରିକ ପ୍ରଶାସନର ନାନା ଅସଙ୍ଗତିକୁ ମୁକୁଳାକରି ତାଙ୍କର ଗଳ୍ପ କବିତାମାନଙ୍କରେ ସ୍ଥାନ ଦେଇଛନ୍ତି । ତଥାପି ତାଙ୍କର ରଚନାରେ ସମ୍ବେଦନଶୀଳତା ଓ ଜାତୀୟଜୀବନ ପ୍ରତି ନିଷ୍ଠା ଛତ୍ରେ ଛତ୍ରେ ଫୁଟିଉଠିଛି । ହାସ୍ୟ-ବ୍ୟଙ୍ଗର ପରିଧି ମଧ୍ୟରେ ହିଁ ତାଙ୍କର ସମଗ୍ର ରଚନାକୁ ଅନ୍ତର୍ଭୁକ୍ତ କରିହୁଏନା ତାଙ୍କର ସତ୍ୟ-ନିଷ୍ଠ, ତତ୍ତ୍ୱ-ପୁଷ୍ଟ ସନ୍ଧାନୀ ଦୃଷ୍ଟି ସମସାମୟିକ ସମାଜର ଅନେକ ଦୁର୍ନୀତି ଓ ଅନ୍ୟାୟକୁ ସଂସ୍କାର କରିବାର ବ୍ୟାକୁଳତା ସଙ୍ଗେ ମିଳିତ ହୋଇ ତାଙ୍କର ସୃଷ୍ଟିକୁ ରସୋତ୍ତୀର୍ଣ୍ଣ କରିଛି । ବ୍ୟଙ୍ଗର ଶୈଳୀ ଓ ଆଙ୍ଗିକ ଲାଗି ସେ ଏକ ବଳିଷ୍ଠ ଆଦର୍ଶ ସୃଷ୍ଟି କରିଗଲେ ।

 

ଏହି ପର୍ଯ୍ୟାୟର ଜଣେ ପ୍ରବାଦପୁରୁଷ ହେଲେ ଗୋପାଳ ପ୍ରହରାଜ । ସେ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ ଏବଂ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ନାମକ ବିଶାଳ ଅଭିଧାନ ଓ ଜ୍ଞାନଭଣ୍ଡାରର ପ୍ରଣେତା ଥିଲେ । ଭାଷାକୋଷ ହିଁ ତାଙ୍କର ପ୍ରଧାନ ଅବଦାନ । ତଥାପି ଓଡ଼ିଆ ସାହିତ୍ୟରେ ହାସ୍ୟରସର ଏକ ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ସୃଷ୍ଟିକରିବାରେ ସେ ଜଣେ ଅଗ୍ରଣୀ ଲେଖକ ଭାବେ ପରିଚିତ । ତାଙ୍କର ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ଆମ ଘରର ହାଲଚାଲ’ ଆଦି ରଚନାକୁ ଓଡ଼ିଆ ସାହିତ୍ୟର ପ୍ରଥମ ରାମ୍ୟ ରଚନା ରୂପେ ଗଣ୍ୟ କରାଯାଏ । ‘ବାଇ ମାହାନ୍ତି ପାଞ୍ଜି’ ଓ ନନାଙ୍କ ବସ୍ତାନୀ’ ଭଳି ପୁସ୍ତକର ରସମୟତା କେବେ ହେଲେ କ୍ଷୀଣ ହେବ ନାହିଁ । ତାଙ୍କର ବୁଦ୍ଧିଦୀପ୍ତ, ଚହଟ ବାକ୍‌ବିଳାସ ଅନନ୍ୟ । ବହୁ ବିଦ୍ୟା, ବିଭିନ୍ନ ଭାଷା ଓ ବିଷୟରେ ତାଙ୍କର ପ୍ରବେଶ ଥିଲା ଓ ଅଗାଧ ପାଣ୍ଡିତ୍ୟ ଥିଲା । ସେ ‘କଚିରିଆ ଭାଷା’ର ପ୍ରୟୋଗ କରି ଯେତିକି ରସ ସୃଷ୍ଟି କରିଛନ୍ତି ସଂସ୍କୃତର ଉଦ୍ଧୃତି ଦେଇ ନିଜର କଥାକୁ ପ୍ରମାଣିତ କରୁଥିବା ଗ୍ରାମୀଣ କବିରାଜ କି ନାହାକମାନଙ୍କ ଶ୍ଳୋକମାନଙ୍କର ଏବଂ ସଂସ୍କୃତ ଛନ୍ଦରେ ଓଡ଼ିଆ କବିତା ରଚନା କରି ଯଶପ୍ରାର୍ଥୀ କବିମାନଙ୍କର ଉକ୍ତିକୁ ନାଥ ମଧ୍ୟ ସେତିକି ହାସ୍ୟରସ ପରିବେଷଣ କରିଛନ୍ତି । ଗ୍ରାମର ଚିକିତ୍ସକ କହିଲେ :

 

‘କ୍ଷୁଦ୍ରାଦପି କ୍ଷୁଦ୍ର ମନୁଷ୍ୟ ଦେହରେ ନାନାଦି ରୋଗେ କରୁଛନ୍ତି ବାସଃ

ବଢ଼ନ୍ତି ଯେତେକ କଫ-ବାତ-ପିତ୍ତେ ନାନାଦି ରୋଗଙ୍କ ହୁଅଇ ଖଣିଃ ।‘

 

ସେହିପରି ସଂସ୍କୃତ ଛନ୍ଦରେ ଜନୈକ କବିଙ୍କର କବିତା ‘ଶାରଦା ପୌର୍ଣ୍ଣ ମାସୀ’ । ସେ ଲେଖିଛନ୍ତି, ‘ଆନନ୍ଦେ ଚାଷୀମାନେ ନିଜ ନିଜ ବିଲକୁ ଚାହିଁ ନାଚନ୍ତି ହର୍ଷେ ।’ ଆଗେ ‘ବିହ୍ଳଣୀୟ କାବ୍ୟ’ ଆଦି ପୁସ୍ତକରେ ସଂସ୍କୃତର ଶାର୍ଦ୍ଦୁଳ ବିକ୍ରିଡ଼ିତ ଛନ୍ଦ, ସ୍ରଗ୍‌ଧରା ଓ ଇନ୍ଦ୍ରାବଜ୍ରା ଆଦି ଛନ୍ଦରେ ଓଡ଼ିଆ ରଚନା ଥିଲା, ଯଥା ‘ଥିଲେ ପୂରା କାଳେ ଭାରତବରଷରେ ଦେଶ ପଞ୍ଜାବ ନାମ ।’ ବୋଧହୁଏ ଗୋପାଳ ପ୍ରହରାଜଙ୍କର କଟାକ୍ଷ ସେହିସବୁ କାବ୍ୟ ଉପରେ ହିଁ ପଡ଼ିଥିଲା, କିନ୍ତୁ ତାଙ୍କର ଶାଣିତ ଓ ବୁଦ୍ଧିଦୀପ୍ତ ବ୍ୟଙ୍ଗ ରଚନା ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ସ୍ୱାକ୍ଷର ଦେଇଯାଇଛି, ଏକଥା ସମସ୍ତେ ସ୍ୱୀକାର କରିବେ ।

 

ସେହି ସମୟର ଅନ୍ୟ ଜଣେ ପ୍ରମୁଖ ହାସ୍ୟବ୍ୟଙ୍ଗ ସ୍ରଷ୍ଟା ହେଲେ ଗୋବିନ୍ଦ ତ୍ରିପାଠୀ । ତାଙ୍କର ମଧ୍ୟ ଗୋଦାବରୀଶ ମହାପାତ୍ରଙ୍କ ପରି ଉତ୍କଳୀୟ ଜାତୀୟ ଚେତନା ପ୍ରତି ଏକ ଆକର୍ଷଣ ଦେଖାଯାଏ । ତାଙ୍କର ବହୁଚର୍ଚ୍ଚିତ ‘ବଟୁଆ’ ଶୀର୍ଷକ ରମ୍ୟରଚନା ଏହାର ଏକ ଦୃଷ୍ଟାନ୍ତ । ସେ ଅଜସ୍ର ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କରିଛନ୍ତି । ତାଙ୍କର ନାନା ବିଷୟରେ ଅଧ୍ୟୟନ ଓ ପ୍ରବେଶ ଥିଲା । ସରକାରୀ ଅଫିସର ଥିବାବେଳେ ବିହାର ଓଡ଼ିଶାର ନାନା ସ୍ଥାନରେ ସେ କର୍ମରତ ଥିଲେ ଓ ସେଠାକାର ଭାଷା ତଥା ଲୋକଚରିତ୍ର ବିଷୟରେ ନିଜର ମନନ ଓ ଚିନ୍ତନ ତାଙ୍କର ଲେଖାମଧ୍ୟରେ ସ୍ଥାନେ ସ୍ଥାନେ ଫୁଟି ଉଠିଛି । ସେ କେବଳ ରମ୍ୟ ରଚନା ଲେଖି ନାହାନ୍ତି, ସାହିତ୍ୟ ସମୀକ୍ଷା, ଭାଷାତତ୍ତ୍ୱ ଓ ଜୀବନୀ ଚର୍ଚ୍ଚା ମଧ୍ୟ ତାଙ୍କର ରଚନାରେ ଦେଖିବାକୁ ମିଳେ, କିନ୍ତୁ ରମ୍ୟ ରଚନାଗୁଡ଼ିକହିଁ ତାଙ୍କର ପରିଚୟ ହୋଇ ରହିଗଲେ । ‘କୁଙ୍କୁମ’ ନାମକ ଲିଥୋ ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ ଦେବ ମହାପାତ୍ରଙ୍କର ଅବଦାନ ମଧ୍ୟ ହାସ୍ୟରଚନାରେ ଉଲ୍ଲେଖଯୋଗ୍ୟ । ସେ ଚିତ୍ରାଙ୍କନ ଓ ଅଭିନୟ କଳାରେ ମଧ୍ୟ ପାରଦର୍ଶୀ ଥିଲେ ଓ ଥିଏଟରର ମଞ୍ଚସଜ୍ଜାରେ ବିଷେଷଜ୍ଞ ଥିଲେ । ଶେଷୋକ୍ତ ବିଷୟର ପ୍ରଫେସରରୂପେ ସେ ରାଷ୍ଟ୍ରୀୟ ଥିଏଟର ପ୍ରତିଷ୍ଠାନରେ କାମ କରିଥିଲେ । ରାଷ୍ଟ୍ରୀୟ ଥିଏଟର ପ୍ରତିଷ୍ଠାନର ସ୍ଥାପନା ପୂର୍ବରୁ ହିଁ ସେ ଏସୀୟ ଥିଏଟର ପ୍ରତିଷ୍ଠାନର ଛାତ୍ର ରୂପେ ତାଲିମ ପାଇଥିଲେ । ‘କୁଙ୍କୁମ’ ପତ୍ରିକା ବମ୍ବେରୁ ବାହାରୁଥିଲା କିନ୍ତୁ ଓଡ଼ିଶାର ପୁରପଲ୍ଲୀ ପର୍ଯ୍ୟନ୍ତ ଠିକ୍ ପହଞ୍ଚୁଥିଲା ଏବଂ ଅତ୍ୟନ୍ତ ଜନପ୍ରିୟ ହୋଇଥିଲା । ଆଧୁନିକ କାଳରେ ଅନେକ ପ୍ରତିଷ୍ଠିତ ଲେଖକ ସେହି ପତ୍ରିକା ଜରିଆରେ ସାହିତ୍ୟ ଜଗତକୁ ଆସିଥିଲେ । ଦେବ ମହାପାତ୍ରଙ୍କର ‘ରଙ୍ଗ ନୁହେଁ ରସ’ ଏକ ସଫଳ ସୃଷ୍ଟି । ପରବର୍ତ୍ତୀ କାଳରେ କୁଙ୍କୁମ ବନ୍ଦ ହୋଇଗଲା ଓ ଦେବ ମହାପାତ୍ର କ୍ରମେ ଲେଖା ଲେଖିରୁ ବିରତ ହୋଇଗଲେ । ତାଙ୍କର କଲମ ଛାଡ଼ିଦେବାର କାରଣ କ’ଣ ତାହା ମୋତେ ଜଣା ନାହିଁ, ତେବେ ସେ ଦିଲ୍ଲୀରେ ଥିଲେ ବୋଲି ଫତୁରାନନ୍ଦ ଅନେକ ଥର ମୋପାଖକୁ ଚିଠି ଲେଖିଥିଲେ ମୁଁ ଯେପରି ଦେବ ମହାପାତ୍ରଙ୍କୁ ଲେଖା ଦେବା ପାଇଁ ତାଙ୍କ ତରଫରୁ ପ୍ରବର୍ତ୍ତାଏ । ବୋଧହୁଏ ସେ ଚେଷ୍ଟା ସଫଳ ହୋଇନାହିଁ । ସେହି ସମୟର ଆଉ ଜଣେ ଉଲ୍ଲେଖଯୋଗ୍ୟ ହାସ୍ୟବ୍ୟଙ୍ଗକାର ହେଲେ ଚିନ୍ତାମଣି ମିଶ୍ର । ତାଙ୍କର ପ୍ରତିଷ୍ଠିତ ଓ ସଂପାଦିତ ‘ନବଜୀବନ’ ପତ୍ରିକା ଦିନେ ଓଡ଼ିଶାରେ ବହୁତ ଲୋକପ୍ରିୟ ହୋଇଥିଲା । ସେହି ପତ୍ରିକାର ପୃଷ୍ଠାରେ ପ୍ରକାଶିତ ତାଙ୍କର ବ୍ୟଙ୍ଗଧର୍ମୀ ରଚନାମାନ ସେହି ପତ୍ରିକାର ପ୍ରାଣଥିଲା । ତାଙ୍କର ‘ଦେବ ଦେବଙ୍କ ଦୁର୍ଗତି’ ଓ ‘ଦେବୀ ଓ ଦୁର୍ଭାଗା’ ତାଙ୍କର ଶାଣିତ ବ୍ୟଙ୍ଗର ଉଜ୍ଜ୍ୱଳ ଦୃଷ୍ଟାନ୍ତ । ସରକାରଙ୍କର ଲୋକସମ୍ପର୍କ ବିଭାଗରେ କର୍ମରତ ଥିଲାବେଳେ ସେ ଶାସନକଳର ନାନା ଅସଙ୍ଗତି ଓ ଅଘଟଣ ସଙ୍ଗେ ପରିଚିତ ଥିବେ, ସେସବୁ ମଧ୍ୟ ଛଦ୍ମବେଶରେ ତାଙ୍କର ବ୍ୟଙ୍ଗଧର୍ମୀ ରଚନା ମଧ୍ୟକୁ ପଶିଆସିଛନ୍ତି । ତଥାପି ତାଙ୍କର ଲେଖାମାନ ‘ନିଆଁଖୁଣ୍ଟା’ ଭଳି କିମ୍ବା ଆଉ କାହାରି ରଚନା ପରି ନୁହେଁ, ତାଙ୍କର ମୌଳିକତା ସ୍ପଷ୍ଟରୂପେ ବାରି ହୋଇଯାଏ ।

 

ତଳେଇ ପରୀକ୍ଷା କଲେ ସ୍ୱାଧୀନତା ଲାଭ ପୂର୍ବର ହାସ୍ୟବ୍ୟଙ୍ଗ ଓ ତତ୍‌ପରବର୍ତ୍ତୀ ସମଧର୍ମୀ ରଚନାମାନଙ୍କ ମଧ୍ୟରେ ଅନେକ ପ୍ରଭେଦ ଦୃଷ୍ଟିଗୋଚର ହୁଏ । ଇଂରେଜ ଶାସନ ସମୟର ହାସ୍ୟରସ କେବଳ ବ୍ୟକ୍ତିନିଷ୍ଠ ଥିଲା । ଏହା ତତ୍‌କାଳୀନ ଗ୍ରାମୀଣ ସମାଜର ନାନା କୁରୀତିଠାରୁ ଆରମ୍ଭ କରି ଅଶିକ୍ଷିତ ସମାଜର କୁସଂସ୍କାରକୁ ପଦାରେ ପକାଇବାକୁ ବ୍ୟଗ୍ର ଥିଲା । ଇଂରେଜ ହାକିମୁହୁକୁମାଙ୍କର ଏ ଦେଶର ସାଧାରଣ ଲୋକଙ୍କ ସଙ୍ଗେ ବାକ୍‌ବିନିମୟ ମଧ୍ୟରେ ଯେତିକି ହାସ୍ୟର ଖୋରାକ ମିଳିଛି, ସଂସ୍କୃତ ଶ୍ଳୋକର କଦର୍ଥ ଓ ଅନୁକରଣକୁ ମଧ୍ୟ ସେହିପରି ଖୋରାକ ମିଳିଛି । ଫକୀରମୋହନ, ସାହେବଙ୍କ ପାଖଲୋକ କିପରି ଭାବରେ ‘ଜମିଦାର ପଲର ସବୁଜ ମହାକୁଡ଼’ର କଥାକୁ ଇଂରାଜୀରେ ଅନୁବାଦ କରିଛି ତାହା ଦେଖାଇ ହସାଇଛନ୍ତି । ପୁଣି ଅନ୍ୟତ୍ର ସଂସ୍କୃତ ଶ୍ଳୋକର ବିକୃତ ଅର୍ଥ ଜରିଆରେ ବା ଲାଳିକା ସୃଷ୍ଟି କରି ହାସ୍ୟରସ ପରିବେଷଣ କରିଛନ୍ତି । ‘ପ୍ରାପ୍ତେତୁ ଷୋଡ଼ଶେ ବର୍ଷେ ପୁତ୍ର ମିତ୍ର ବଦାଚରେତ୍‌’ ହୋଇଗଲା ‘ଷୋଳବର୍ଷ ହୋଇଗଲେ ପୁତ୍ର ତଥା ମିତ୍ରଙ୍କ ସଙ୍ଗେ ବଦ୍‌ ଅର୍ଥାତ୍‌ ଖରାପ ଆଚରଣ କରିବ ।’ ଏବଂ ‘କଜ୍ଜ୍ୱଳ ପୂରିତ ଲୋଚନ ଭାଲେ, ଗୁଣ୍ଡିମିଶା ଖିଲି ଶୋଭିତ ଗାଲେ’ ଭଳି ହନୁକରଣ ମଧ୍ୟ ଲୋକଙ୍କୁ ହସାଇଛି । କବିବର ରାଧାନାଥ ରାୟ ମଧ୍ୟ ତତ୍‌କାଳୀନ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କର ‘ଆସନ କଜିଆ’ ଏବଂ ବିଭିନ୍ନ ବ୍ୟକ୍ତିଙ୍କର ଚରିତ୍ର ଉପରେ ଏକ କଟାକ୍ଷ ହାଣିଛନ୍ତି ତାଙ୍କର ବହୁଚର୍ଚ୍ଚିତ ‘ଦରବାର’ କବିତାରେ :

 

ଆନ ବୋଲେ ମୁହିଁ ଅଟଇ ପୁଲିସ

ବିନା ମେଘେ ସୃଜି ପାରଇ କୁଳିଶ୍‌।’

 

ଫକୀରମୋହନ ବି ନୂଆ ଇଂରାଜୀ ପଢ଼ୁଆଙ୍କୁ ତାଙ୍କର ‘ହାଟବାହୁଡ଼ା’ରେ ଭେଟିଛନ୍ତି ଓ କହିଛନ୍ତି, ସେହି ପାଠର ଅଦ୍ଭୁତ ଗୁଣ ‘ହୁଏ ଦେହ ସରୁ, ବୁଦ୍ଧିଟା ମୋଟା’ ଏବଂ ତାଙ୍କର ଡାକମୁନସୀ ମଧ୍ୟ ଜଣେ ନୁଆ ସଭ୍ୟ ଯେକି ବାପକୁ ଗୋଟିଏ ‘ଇଂରାଜୀ ଘୁଷି’ ଦେଇଛି । ପଣ୍ଡିତ ନୀଳକଣ୍ଠ ଦାସ ବ୍ରାହ୍ମଣ ସମାଜର ରକ୍ଷଣଶୀଳତାକୁ ଆକ୍ଷେପ କରି ‘ମୋ ନିଶ’ ବୋଲି ଲେଖାଟି ଦୁଇ ଖଣ୍ଡରେ ଲେଖିଥିଲେ ଯହିଁରୁ ପ୍ରଥମ ଖଣ୍ଡଟି ବିଲ୍‌କୁଲ୍‌ ସନ୍ଧ୍ୟାକର୍ମର ଭାଷାରେ ଅଧା ସଂସ୍କୃତ ଓ ଅଧା ଓଡ଼ିଆରେ ଲେଖା ହୋଇଥିଲା । ଜାତିଆଣ, ଜାତ୍ୟାଭିମାନ ଓ ସେହିଭଳି ଅନେକ କୁସଂସ୍କାର ପ୍ରଗତି ପଥରେ ବାଧକ ହୋଇଥାନ୍ତି । ଅଦ୍ୟାପି ଜାତିଆଣ ଓ ଜାତିଭିତ୍ତିକ ରାଜନୀତିର ପ୍ରଭାବ କମିନାହିଁ । ମହାତ୍ମା ଗାନ୍ଧୀ ଦେଶର ସବୁଠାରୁ ବଡ଼ ପାପ ଅସ୍ପୃଶ୍ୟତା ବୋଲି କହିଥିଲେ ଏବଂ ଆଜୀବନ ତାହା ବିରୁଦ୍ଧରେ ଲଢ଼ିଗଲେ । କେହି ଜଣେ ଜନପ୍ରିୟ କବି ଲେଖିଥିଲେ :

 

‘ଛୁଇଁ ଦେଲେ ଛୁଅନ୍ତା ହେଲା ଗଲା ମୋ ଜାତି ।

ଜାତିରେ ଯେବେ ମୁଁ ବ୍ରାହ୍ମଣ

ବିଧବା ପଣକୁ ପଣ-

ମୋତେ କିଏ ସେ ଅଛିରେ କହିବ ? ମୁଁ ତ ନିଜେଟି ସମାଜପତି ।।’

 

ଗଣଚେତନା ଜାଗ୍ରତ କରିବାକୁ ସ୍ୱାଧୀନତା ଆନ୍ଦୋଳନ ମଧ୍ୟରେ ଏମିତି କେତେ କବିତା ଦେଖିବାକୁ ଓ ଗୀତ ଆକାରରେ ଶୁଣିବାକୁ ମିଳୁଥିଲା । ସ୍ୱାୟତ୍ତ ଶାସନ କାଳରେ ଏବଂ ସ୍ୱାଧୀନତା ଲାଭ ପରର ହାସ୍ୟରଚନାମାନଙ୍କରେ ନୂଆ ନୂଆ ନେତାମାନଙ୍କୁ ନେଇ ଅନେକ ବ୍ୟଙ୍ଗବିଦ୍ରୂପ ଲେଖାଗଲା । ହଠାତ୍‌ କ୍ଷମତାପ୍ରାପ୍ତ ହେଲେବି ଏହି ନେତାମାନଙ୍କର ନିଜର ବିଦ୍‌ବତ୍ତା ଓ ଲୋକଚରିତ୍ର ଜ୍ଞାନର ଅଭାବ ଦେଖାଗଲା ଓ ତାଙ୍କର କଥାବାର୍ତ୍ତା ବିବୃତି ଓ ଭାଷଣ ଆଦିରେ ନାନା ଭୁଲଭ୍ରାନ୍ତି ହାସ୍ୟରଚନା ପାଇଁ ଏବେ ଉର୍ବର କ୍ଷେତ୍ର ହୋଇ ଦେଖାଗଲା । ସୁନୀଲ ମିଶ୍ରଙ୍କର ‘ଖଦଡ଼ ମୁଣି’ ଏ ଧରଣର ଏକ ଦୃଷ୍ଟାନ୍ତ । କୃଷ୍ଣପ୍ରସାଦ ବସୁଙ୍କର ‘ଆଖଡ଼ାଘରେ ବୈଠକ’ ସମକାଳୀନ ସମାଜ ଉପରେ ଏକ ଦୃଷ୍ଟିପାତ ସଂଗେ ସଂଗେ ଏକ ସରସ ହାସ୍ୟରସ ବହନ କରିଛି । ସଚ୍ଚି ରାଉତରା ସ୍ୱୟଂ ଓଡ଼ିଆ ଆଧୁନିକ କବିତାର ଜନକ ଏବଂ ପରେ ପଦ୍ମଶ୍ରୀ ଓ ଜ୍ଞାନପୀଠ ପୁରସ୍କାର ବିଜେତା, କିନ୍ତୁ ତାଙ୍କର ‘ଚିତ୍ରଗ୍ରୀବ’ ଉପନ୍ୟାସଟି ଏପର୍ଯ୍ୟନ୍ତ ହାସ୍ୟରସାତ୍ମକ ଉପନ୍ୟାସ ଭାବେ ଅତୁଳନୀୟ ହୋଇ ରହିଯାଇଛି । ତତ୍‌କାଳୀନ ଯୁବସମ୍ପ୍ରଦାୟ ଉପରେ ପାଶ୍ଚାତ୍ୟ ଦର୍ଶନ, ସଂସ୍କୃତି ଓ ମନୋବିଜ୍ଞାନର ଅର୍ଦ୍ଧପାଚ୍ୟ, ବିକୃତ ପ୍ରଭାବ ଘେନି ନାନା ଅଘଟଣ ତାହାର ମୁଖ୍ୟ ଚରିତ୍ରଠାରେ ଦେଖିବାକୁ ମିଳେ । ଝରକା ବାଟେ ପାଖଛାତ ଉପରେ ବସିଥିବା ବିଲେଇକୁ ଆଖିମିଳାଇ ଅପଲକ ଦୃଷ୍ଟିରେ ସମ୍ମୋହିତ କରିବାର ବିଫଳ ପ୍ରୟାସ ଏକ ଅପୂର୍ବ ହାସ୍ୟୋଦ୍ଦୀପକ ପରିବେଶ ସୃଷ୍ଟି କରିଛି । ଫତୁରାନନ୍ଦ ହାସ୍ୟରସକୁ ଆକୃଷ୍ଟ ହେଲା ବେଳକୁ ୧୯୪୪ ହୋଇଯାଇଛି । ଏହା ପୂର୍ବରୁ ସେ ଅନେକ ‘ଆଳକୁଚି ମାଳକୁଚି’ ଲେଖିଛନ୍ତି ବୋଲି ନିଜର ଜୀବନୀରେ କହିଛନ୍ତି, କିନ୍ତୁ ସେସବୁ କେଉଁଠି ପ୍ରକାଶିତ ହୋଇଛି ତାହା ଜଣାନାହିଁ । ଇସ୍କୁଲର ପତ୍ରିକାରେ କିଛି ଛପା ହୋଇଥିଲା । ଯାହାହେଉ, ଫତୁରାନନ୍ଦ ହାସ୍ୟରଚନାରେ ହାତଦେବା ବେଳକୁ ଉପଯୁକ୍ତ ଅନେକ ଲେଖକ ଓଡ଼ିଆ ସାହିତ୍ୟରେ ବିରାଜି ସାରିଥିଲେ, ତଥାପି ସେମାନଙ୍କର ଭାଷା ଓ ଶୈଳୀ ଫତୁରାନନ୍ଦଙ୍କୁ ପ୍ରଭାବିତ କରିଥିବା ପରି ମନେ ହୁଏନାହିଁ । ଗୋଟିଏ ଉଦାହରଣ ଦେଇ ଏହି ଉକ୍ତିକୁ ସ୍ପଷ୍ଟ ବୁଝାଇବି । ଫତୁରାନନ୍ଦ ମୁକ୍ତକଣ୍ଠରେ ତାଙ୍କ ଉପରେ ଫକୀରମୋହନଙ୍କର ପ୍ରଭାବ ଥିବାର ଘୋଷଣା କରିଛନ୍ତି । ତଥାପି ତାଙ୍କର ଜୀବନୀ ଦେଖିଲେ ମନେହୁଏ, ପ୍ରଥମ ଦର୍ଶନରେ ତାଙ୍କର ପିଲା ଆଖିରେ ଫକୀରମୋହନଙ୍କୁ ବୁଝିବା ଦୁରୂହ ଥିଲା । ଯେତେବେଳେ ଶିକ୍ଷକମହାଶୟ ତାଙ୍କ ହାତରେ ‘ଛଅମାଣ ଆଠଗୁଣ୍ଠ’ ଶୀର୍ଷକ ଫକୀରମୋହନ କୃତ ଉପନ୍ୟାସଟି ପଢ଼ିବା ପାଇଁ ଦେଇଦେଲେ, ଫତୁରାନନ୍ଦ ଭାବିଥିଲେ ସେଇଟି ନିଶ୍ଚୟ ଗଣିତ ବିଷୟକ ଏକବହି ଯେଉଁଠି କି ଗଣିତ ତାଙ୍କୁ ମୋଟେ ଭଲ ଲାଗୁନଥିଲା । ଉପନ୍ୟାସଟି ପଢ଼ିବା ବେଳେ ସେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଜଣେ ଭଲ ମଣିଷ ବୋଲି ମନେ କରିଥିଲେ । ଅନେକ ଦିନ ପରେ ଯାଇ ସେ ଧାରଣାଟି ତାଙ୍କର ବଦଳିଥିଲା ଓ ସେ ଫକୀରମୋହନଙ୍କର ପ୍ରକୃତ ବ୍ୟଙ୍ଗଟି ଧରିପାରିଥିଲେ । ଯେବେ ତୁଳନାତ୍ମକ ବିଶ୍ଳେଷଣ କରାଯାଏ, ତେବେ ଫତୁରାନନ୍ଦଙ୍କର ସ୍ୱତନ୍ତ୍ର ପ୍ରକାଶଭଙ୍ଗୀର ମୌଳିକତା ବେଶ୍‌ ବୁଝାଯାଏ । ତାଙ୍କର ପୂର୍ବସୂରୀଙ୍କ ମଧ୍ୟରୁ କେବଳ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପ୍ରତ୍ୟକ୍ଷ ପ୍ରଭାବ ଫତୁରାନନ୍ଦଙ୍କ ଆଦ୍ୟକାଳର ରଚନାରେ ଦେଖିବାକୁ ମିଳେ । ପରବର୍ତ୍ତୀ କାଳରେ ସେ ତାଙ୍କର ନିଜସ୍ୱ ଓ ମୌଳିକଶୈଳୀ ଦ୍ୱାରା ଓଡ଼ିଆ ସାହିତ୍ୟକୁ ଅଧିକ ସମୃଦ୍ଧ କରି ପାରିଛନ୍ତି । ପୁଣି ଲାଳିକା ଓ ଅନୁକରଣର କବିତାଗୁଡ଼ିକରେ ଯେତେ ବେଶି ଲକ୍ଷ୍ମୀକାନ୍ତଙ୍କର ପ୍ରଭାବ ଦେଖାଯାଏ, ଗଦ୍ୟ ରଚନାରେ ସେତେଟା ପ୍ରଭାବ ଦେଖାଯାଏ ନାହିଁ । କ୍ରମେ ଫତୁରାନନ୍ଦଙ୍କର ଏକ ନିଜସ୍ୱ ପ୍ରକାଶଭଙ୍ଗୀ ତାଙ୍କର ରଚନାମାନଙ୍କରେ ଫୁଟି ଉଠିଛି । ସେହିଭଳି ସେ ପୃଥିବୀର ଶ୍ରେଷ୍ଠ ହାସ୍ୟ-ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ଚାର୍ଲିଚାପ୍ଳିନଙ୍କର ଭୂୟସୀ ପ୍ରଶଂସା କରନ୍ତି । ତଥାପି ତାଙ୍କ ରଚନା ମଧ୍ୟରେ ଚାର୍ଲିଚାପ୍ଳିନ୍‌ଙ୍କର ପ୍ରଭାବ ଖୋଜିଲେ ମିଳିବ କି ନାହିଁ ସନ୍ଦେହ । ଚାର୍ଲିଚାପ୍ଳିନ୍‌ଙ୍କର ସ୍ତାବକ ଅନେକ, କିନ୍ତୁ ତାଙ୍କର ଅନୁକରଣ ଖୁବ୍‌ କମ୍‌ ଦେଖିବାକୁ ମିଳେ । ଏହା ହେଉଛି ପ୍ରକୃତ ମୌଳିକତାର ବିଭାବ । ଠିକ୍‌ ସେହିଭଳି ଯେତେ ହାସ୍ୟପ୍ରତିଭା ମୌଳିକତାରେ ପ୍ରତିଷ୍ଠିତ ସେମାନଙ୍କର ରଚନାରେ ଏତେ ବିଶିଷ୍ଟତା ରହିଥାଏ ଯେ ଆଉ କାହାରି ହାତରେ ତାହାର ପ୍ରତିଛବି ଫୁଟିପାରେ ନାହିଁ । ଫତୁରାନନ୍ଦ ବିନୟ ସହକାରେ ଅନ୍ୟ ଲେଖକଙ୍କର ଋଣ ସ୍ୱୀକାର କରିଥିଲେ ବି କେବଳ ପ୍ରଥମ ପ୍ରେରଣାର ଉତ୍ସ ଭାବରେ ହିଁ ସେମାନେ ଫତୁରାନନ୍ଦଙ୍କୁ ପ୍ରଭାବିତ କରିଥାଇପାରନ୍ତି । ହାସ୍ୟରଚନାର ବିସ୍ତୃତ ଜଗତ ସଂଗେ ତାଙ୍କର ପରିଚୟ ଥିଲା । ଭାରତୀୟ ହାସ୍ୟରଚନାର ଏକ ସଂକଳନ କରିଥିଲେ ମୁଜତବା ହୁସେନ ଯାହାର ଓଡ଼ିଆ ଅନୁବାଦ ଫତୁରାନନ୍ଦ କରିଥିଲେ । ପଠିତ ହାସ୍ୟରଚନାର ଭଣ୍ଡାର ତାଙ୍କର ଯଥେଷ୍ଟ ଥିଲା । ସେ ନିଜେ ବ୍ୟଙ୍ଗଚିତ୍ର ଅଙ୍କନ କରୁଥିଲେ । ପିଲାକାଳୁ ଯେଉଁଠି ପାରନ୍ତି ସେଠି କାନ୍ଥବାଡ଼ରେ ସେ ଚିତ୍ର ଆଙ୍କିଦିଅନ୍ତି । ପରେ ‘ଡଗର’ ପୃଷ୍ଠାରେ ମଧ୍ୟ ତାଙ୍କର ବ୍ୟଙ୍ଗଚିତ୍ର ପ୍ରକାଶିତ ହୋଇଛି, କିନ୍ତୁ ଆଖିର ଜ୍ୟୋତି କମିଗଲା ପରେ ତାଙ୍କର ଚିତ୍ରାଙ୍କନ କମି କମି ଆସିଲା । ସେ ଚମତ୍କାର ବ୍ୟଙ୍ଗାନୁକରଣ କରି ଗୀତ ମଧ୍ୟ ବୋଲିବାର ଥରେ ମୁଁ ଶୁଣିଥିଲି । ମୋର ଧାରଣା, କେବଳ ହାସ୍ୟ ରଚନା ବା ଚିତ୍ର ମଧ୍ୟରେ ତାଙ୍କର ପ୍ରତିଭା ସୀମିତ ନୁହେଁ, ସେ ହାସ୍ୟକୁ ଆଶ୍ରା କରି ତିଷ୍ଠି ଥିଲେ । ଆହୁରି ମଧ୍ୟ ସ୍ମରଣ ରଖିବାକୁ ହେବ ଯେ ହାସ୍ୟସ୍ରଷ୍ଟାର ଦୈନନ୍ଦିନ ଜୀବନର ଚିନ୍ତାଧାରା ମଧ୍ୟରେ ହାସ୍ୟର ସନ୍ଧାନ ସଦାସର୍ବଦା ଅବିଚ୍ଛିନ୍ନଭାବ ପ୍ରଭାବିତ ହେଉଥାଏ । ବ୍ୟଙ୍ଗଚିତ୍ରକାର ଆର୍‌.କେ.ଲକ୍ଷ୍ମଣ କହନ୍ତି ଯେ ଗୋଟିଏ ବ୍ୟଙ୍ଗଚିତ୍ର ଆଙ୍କିବା ଆଗରୁ ତାଙ୍କର ମାନସପଟରେ ନାନା ଚିତ୍ର, ନାନା ଘଟଣା ପ୍ରବାହ ଏବଂ ମନୁଷ୍ୟ ଚରିତ୍ର ଭାସି ଉଠିଥା’ନ୍ତି । ଶେଷକୁ ଗୋଟିଏ ଚିତ୍ର ସ୍ପଷ୍ଟ ହୋଇ ଫୁଟିଉଠେ । ଫତୁରାନନ୍ଦ ମଧ୍ୟ ଠାଏ କହିଛନ୍ତି, ପୃଥିବୀ ହାସ୍ୟକର ପରିସ୍ଥିତିରେ ଭର୍ତ୍ତିଅଛି । ଦରକାର ଖାଲି ଦୃଷ୍ଟି ଓ ଦେହବଳ । ଦୃଷ୍ଟି ବୋଲି ସେ ବୋଧହୁଏ ନିଜର ପର୍ଯ୍ୟବେକ୍ଷଣ ଓ ମନନକୁ ବୁଝାଇଛନ୍ତି ଓ ଦେହବଳ ବୋଲି କରି ସେ ନିଜର ସ୍ୱାସ୍ଥ୍ୟ କଥା ବୁଝାଇଛନ୍ତି । ସ୍ୱାସ୍ଥ୍ୟ ଭଲ ନଥିବା ତାଙ୍କ ଲାଗି ଅନେକ ଅନ୍ତରାୟ ସୃଷ୍ଟି କରିଛି । ପୁଣି ଅନ୍ୟତ୍ର ସେ କହିଛନ୍ତି ଯେ ନାନା ବ୍ୟଥାବେଦନାର ଦୁଃଖକୁ ସେ ହସ ଦ୍ୱାରା କ୍ଷୀଣ କରିଦେଇ ପାରିଛନ୍ତି । ଏହା ପଛରେ ଏକ ଦୃଢ଼ ସଂକଳ୍ପ କାମ କରିଥିବ । ଏଣେ ସେ ନବାଗତ ଲେଖକମାନଙ୍କୁ ଅଧିକ ଉତ୍ସାହିତ କରିବାଲାଗି ହାସ୍ୟରସର ସେହି ଶକ୍ତି ଅଛି, ଏହା ବୁଝାଉଥିଲେ । ଯେଉଁ ପରିମାଣର ରୋଗ ଓ ଯନ୍ତ୍ରଣା ସେ ଭୋଗ କରିଥିଲେ, ତାହାର ପ୍ରତିକାର ଲାଗି କୌଣସି ସାହିତ୍ୟ ସମର୍ଥ ହେବାର ନୁହେଁ, କିନ୍ତୁ ସେସବୁକୁ ପ୍ରତ୍ୟାଖାନ କରି ନିଜର ହାସ୍ୟସୃଷ୍ଟିରେ ବ୍ୟସ୍ତ ରହିବା ମଧ୍ୟରେ ତାଙ୍କର ଜିଦ୍‌ଖୋର ସ୍ୱଭାବଟି ବେଶ୍‌ ବୁଝାଯାଏ । ବୋଧହୁଏ ସେହି ଜିଦ୍‌ ଯୋଗୁରୁ ହିଁ ସେ ବୃଦ୍ଧ ବୟସରେ ଦିନେ ଓଡ଼ିଆ ସାହିତ୍ୟରେ ବି. ଏ.ପାଶ୍‌ କରିବାକୁ ଲାଗି ପଡ଼ିଥିଲେ । ତାଙ୍କର ଜୀବନରୁ ଜଣାଯାଏ ଯେ ସେ କୌଣସି ସାହିତ୍ୟ ସଭାରେ ଅଧ୍ୟକ୍ଷତା କରିବା କଥା ଶୁଣି ଜନୈକ ବିଜ୍ଞ ଅଧ୍ୟାପକ ତାଙ୍କର ଓଡ଼ିଆ ସାହିତ୍ୟ ବିଷୟରେ ଘୋର ଅଜ୍ଞତା ନେଇ ବେଶ୍‌ କଡ଼ା କରି କଟୂକ୍ତି କରିଥିଲେ ଓ ଫତୁରାନନ୍ଦ ଯେଉଁଠାରେ ସଭାପତି ସେଠାରେ ତାଙ୍କପରି ବିଦ୍ୱାନ ବସିବା ଉଚିତ୍‌ ହେବ ନାହିଁ ବୋଲି କକ୍ଷତ୍ୟାଗ କରିବା ଯାକେ କଥା ଯାଇଥିଲା । ଏହି ଉକ୍ତିଟି ତାଙ୍କ କାନରେ ପଡ଼ିବାପରେ ତାଙ୍କ ମନରେ ଏକ ଗଭୀର କ୍ଷତ ସୃଷ୍ଟି କରିଦେଇଥିଲା ଓ ଏହାର ପ୍ରତିକାର ଲାଗି ସେ ଓଡ଼ିଆରେ ବି.ଏ.ପାଶ୍‌ କରିବାକୁ ପ୍ରୟାସୀ ହୋଇଥିଲେ । ଆଖିରେ ଦୃଷ୍ଟିଶକ୍ତି କମି ଆସିଥିଲା ବୋଲି ନିଜେ ନିଜେ ପଢ଼ିବାକୁ ଅକ୍ଷମ ହେବାର ଜାଣି ଆଉ କାହାରିଠାରୁ ଶୁଣିଶୁଣି ନିଜର ଅଧ୍ୟୟନ ଜାରି ରଖିଥିଲେ ଓ ଯେଉଁ ବିଦ୍ୱାନ ଅଧ୍ୟାପକମାନେ ‘ଡ଼ଗର’ କାର୍ଯ୍ୟଳୟକୁ ଆସୁଥିଲେ ସେମାନଙ୍କ ସଙ୍ଗେ ବିସ୍ତୃତ ଆଲୋଚନା କରି ସାହିତ୍ୟ ବିଷୟରେ ନିଜର ଅନ୍ତର୍ଦୃଷ୍ଟି ବଢ଼ାଉଥିଲେ । ଓଡ଼ିଆ ସାହିତ୍ୟ ବିଷୟରେ ତାଙ୍କର କୌଣସି ବିଧିବଦ୍ଧ ଜ୍ଞାନ ନଥିବାର ଗ୍ଳାନିବୋଧରୁ ଏହାଦ୍ୱାରା ସେ କେତେଦୂର ମୁକ୍ତ ହୋଇଥିଲେ ତାହା ସେ ଜାଣିଥିବେ, କିନ୍ତୁ ଗୋଟିଏ ଡିଗ୍ରୀ ହାସଲ କଲେ ଯେ ମଣିଷର ସାହିତ୍ୟ ବିଷୟରେ ଅନ୍ତର୍ଦୁଷ୍ଟି ବଢ଼ିଯିବ ତାହା ଏକ ଭ୍ରାନ୍ତି ଭିନ୍ନ ଆଉ କିଛି ନୁହେଁ । ସେ କଥା ଯେ ଫୁତୁରାନନ୍ଦଙ୍କୁ ଜଣା ନଥିବ ତାହା ନୁହେଁ, କିନ୍ତୁ ତାଙ୍କର ମନଟି ଯେ ଚିର ଅନୁସଦ୍ଧିତ୍ସୁ ହୋଇ ତାଙ୍କୁ ପ୍ରେରଣା ଦେଇଛି ଯଦ୍ୱାରା ନିଜର ସଂକଳ୍ପରେ ସେ ଅଟଳ ରହିଥିଲେ । ଯାହାର ପିଲାଦିନରୁ ସାହିତ୍ୟ ପ୍ରତି କୌଣସି ଆଗ୍ରହ ନଥିଲା, ଯେଉଁ ବ୍ୟକ୍ତି ବିଜ୍ଞାନ ପ୍ରତି ଆକୃଷ୍ଟ ଥିଲା, ସେ ଯେ ଦିନେ ସାହିତ୍ୟଜଗତକୁ ଏପରି ଭାବରେ ପ୍ରବେଶ କରିବ, ଏପରି ସମର୍ପିତ ଜୀବନ ଦେଇ ସାହିତ୍ୟର ସେବା କରିବ ଏକଥା କିଏ ବା ଭାବିଥିବ ? କେତେ ଘଟଣାପ୍ରବାହ, କେତେ ଝଡ଼ଝଂଝା, କେତେ ଦୁଃଖ ବେଦନା, ମାନ ଅପମାନର ଧକ୍କା ତାଙ୍କୁ ଠେଲି ଠେଲି ସେହି ଜଗତକୁ ପହଞ୍ଚାଇ ଦେଇଛି ତାହା ତାଙ୍କର ଜୀବନୀ ପାଠକଲେ ଜଣାପଡ଼େ । କବିଙ୍କର ଭାଷାରେ :

‘ୟେ ଯୋ ଜୀନ୍ଦେଗୀ ହୈ, ହୈ ହାଦ୍‌ସାଓଁ କୀ ହୁଜୁମ୍‌

ୟେ ତୋ ମେରୀ ଜୀଦ୍‌ ହୈ କି ଇସ୍‌ ଗଲିସେ ଗୁଜର ରହାହୁଁ ।’

( ଏ ଯେଉଁ ଜୀବନ, ତାହା ଖାଲି ଦୁର୍ଘଟଣାର ସମାହାର, ଏତ ମୋର ଜିଦ୍‌ଯାହା କି ଏହି ଗଳି ଦେଇ ମୁଁ ଚାଲି ଯାଉଛି । )

 

ରୋଗ ବଇରାଗ କହନ୍ତୁ, ଅବସ୍ଥାଚକ୍ରର ପ୍ରବାହ କହନ୍ତୁ, ତାଙ୍କ ଜୀବନରେ ଏହିଭଳି ଦୁର୍ଘଟଣା, ଅଘଟଣ ଆଦି ପଦେ ପଦେ ତାଙ୍କୁ ଆକ୍ରମଣ କରିଛନ୍ତି, ଅସ୍ଥିର କରି ରଖିଛନ୍ତି । ଅନେକଥର ତାଙ୍କର ଆସ୍ଥା ଉପରେ, ଆଶ୍ରା ଉପରେ ଭାଗ୍ୟର ନିଷ୍ଠୁର ଆଘାତ ହୋଇଯାଇଛି । କେଉଁଠାରୁ ସେ ଏତେ ଶକ୍ତି, ଏତେ ଦୃଢ଼ତା, ଏତେ ଏକନିଷ୍ଠତା ପାଇଲେ ? ତାଙ୍କୁ ପଚାରିଲେ ସେ କେବଳ ତାଙ୍କର ପରମ ପୂଜ୍ୟ ଶ୍ରୀ ସତ୍ୟସାଇବାବଙ୍କ ଫଟୋ ଚିତ୍ରକୁ ଦେଖାଇ ଦେବେ । ଗୁରୁକୃପା, ଈଶ୍ୱରଙ୍କର ପ୍ରେରଣା, ଆଧ୍ୟାତ୍ମିକ ତରଙ୍ଗ ଆଦି ବୋଧହୁଏ ତାଙ୍କ ଧରଣର ଲେଖା ଲାଗି ଉପଯୁକ୍ତ ଉତ୍ସ ନୁହନ୍ତି । ସେ କେବଳ ଆଗେଇ ଚାଲିବାର ଆଦେଶଟି ସେହି ଉତ୍ସରୁ ଆହରଣ କରିଥିବେ । ପରବର୍ତ୍ତୀ ସାହିତ୍ୟ ଜୀବନରେ ତାଙ୍କର ଅଗଣିତ ପାଠକପାଠିକାଙ୍କର ଆକୁଣ୍ଠ ଆଗ୍ରହ ହିଁ ସମ୍ଭବତଃ ତାଙ୍କୁ ସେହି ଉଦ୍ୟମ ଲାଗି ପ୍ରେରିତ କରିଥିଲା । ପତ୍ରପତ୍ରିକାର ସମ୍ପାଦକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଯାଏ ସମସ୍ତେ ତାଙ୍କର ରଚନା ଲାଗି ଅଧୀର ପ୍ରତୀକ୍ଷାରେ ବସିଥିଲେ । ସେ କିଛି କମ୍‌ ପ୍ରେରଣା ନୁହେଁ ।

 

ଫତୁରାନନ୍ଦ ବହୁ ସ୍ଥଳରେ ଅବଶୋଷ ଜଣାଇଛନ୍ତି ଯେ ତାଙ୍କୁ ସମସାମୟିକ କାଳର ସାହିତ୍ୟବେତ୍ତା ବା ସାହିତ୍ୟର ଅଧ୍ୟାପକ କି ବିଚାରକମାନେ ସ୍ୱୀକୃତି ଦେଇନାହାନ୍ତି । ସେହି ସମୟର ବଡ଼ ବଡ଼ ସାହିତ୍ୟିକ, ଲେଖକ ଓ ଚିନ୍ତାଶୀଳ ବୁଦ୍ଧିଜୀବୀମାନେ ଫତୁରାନନ୍ଦଙ୍କୁ ପ୍ରଶଂସା କରିଛନ୍ତି । ପଣ୍ଡିତ ନୀଳକଣ୍ଠ ଦାସ, ଗୋପୀନାଥ ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, ପ୍ରଫେସର କୁଞ୍ଜବିହାରୀ ଦାଶ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ରାୟ ଆଦି ସେହି ନାକଟା ଚିତ୍ରକର’ ଉପନ୍ୟାସ ଓ ‘କବି ଲଢ଼େଇ’ର ପ୍ରକାଶନଠାରୁ ତାଙ୍କର ଆକୁଣ୍ଠ ପ୍ରଶଂସା ଜଣାଇଛନ୍ତି । କିନ୍ତୁ ଫତୁରାନନ୍ଦ ବୋଧହୁଏ ଚାହିଁଥିଲେ ସମସାମୟିକ ସମାଲୋଚକ, ଅଧ୍ୟାପକ ଓ ବିଜ୍ଞଜନଙ୍କର ମୂଲ୍ୟାୟନ ଓ ସ୍ୱୀକୃତି । ଏଣେ ଏକଥା ସ୍ମରଣ ରଖିବାକୁ ହେବ ଯେ ହାସ୍ୟ ସାହିତ୍ୟର ବିଚାର ଲାଗି, ସମାଲୋଚନା ଲାଗି, ତାହାର ବିଶଦ ବୁଦ୍ଧିଯୁକ୍ତ ଆଲୋଚନା ଲାଗି ଓଡ଼ିଆ ସାହିତ୍ୟ ମାଧ୍ୟମରେ ଯୋଗ୍ୟତାର ଏକାନ୍ତ ଅଭାବ । ଯାହାଠାରୁ ସେ ମନ୍ତବ୍ୟ ଶୁଣିବାକୁ ଚାହୁଁଥିବେ, ତାହା ହୁଏତ ବ୍ୟକ୍ତିଗତ ଅଭିମତ ହୋଇଥାନ୍ତା । ଥରେ ସେ ଜନୈକ ସମାଲୋଚକଙ୍କୁ ପଚାରି ପଚରି ବ୍ୟସ୍ତ କରିଦେଇଥିଲେ ଯେ ତାଙ୍କର ଲେଖାରେ କେଉଁଠି ତୃଟି ରହୁଛି ସେତକ ତାଙ୍କୁ ଦେଖାଇ ଦେଲେ ସେ ସଂଶୋଧନ କରନ୍ତେ । ବହୁତ କୁଣ୍ଠିତ ହୋଇ ସେହି ଭଦ୍ରଲୋକ ଗୋଟିଏ ଲେଖାକୁ ଟିକିଏ ପ୍ରଶଂସା କରିଥିଲେ ‘ହଁ, ଏଇଟା ଏକପ୍ରକାର ହୋଇଯାଉଛି ।’

‘ତଥାପି ସଂଳାପ ମଧ୍ୟରେ ଗୁଡିଏ ଅଶ୍ରାବ୍ୟ ଶବ୍ଦ ରହିଯାଉଛି ।’ ‘ଫତୁରାନନ୍ଦ କହନ୍ତି, ସେ ଯେଉଁମାନଙ୍କୁ ନେଇ ରଚନା କରନ୍ତି, ତାଙ୍କ ମୁହଁରେ ମାର୍ଜିତ ସାଧୁଶବ୍ଦତ ମାନିବ ନାହିଁ, ସେମାନେ ତାଙ୍କ ଭାଷାରେ କହିବେ । ଏକଥାର କୌଣସି ସନ୍ତୋଷଜନକ ଉତ୍ତର ମିଳେନାହିଁ । ପ୍ରକୃତପକ୍ଷରେ ହାସ୍ୟରଚନାକୁ ହୀନ ଦୃଷ୍ଟିରେ ଦେଖିବାର ଯେଉଁ ପ୍ରବଣତାଟି ବୃଦ୍ଧିଜୀବୀ ମହଲରେ ବିଦ୍ୟମାନ, ତାହାର କିଛି ଯୁକ୍ତିଗ୍ରାହ୍ୟ କାରଣ ନାହିଁ ତେଣୁ ତାହାର ଯଥାର୍ଥ୍ୟ ପ୍ରମାଣ କରି ହୁଏନାହିଁ । ଆହୁରି ମଧ୍ୟ ହାସ୍ୟରସ ପାଇଁ ବୌଦ୍ଧିକ ମାପକାଠି ଖୋଜିବା ଏକ ବିଡ଼ମ୍ବନା ଭିନ୍ନ କିଛି ନୁହେଁ । ଅନ୍ୟ ସବୁ ରକମର ସାହିତ୍ୟ ସୃଷ୍ଟି ଲାଗି ଯେଉଁ ବୈଚାରିକ ମାନଦଣ୍ଡ ବ୍ୟବହୃତ ହୋଇଥାଏ ଠିକ୍‌ ସେହି ମାନଦଣ୍ଡ ବୋଧହୁଏ ହାସ୍ୟ ସୃଷ୍ଟି ଲାଗି ଉପଯୁକ୍ତ ନୁହେଁ । ପ୍ରକୃତରେ ହାସ୍ୟଲାଗି ମାନଦଣ୍ଡ ମିଳେନାହିଁ । ସାହିତ୍ୟର ଦରବାର ମଧ୍ୟରେ ଯେ ତାହାର ସ୍ଥାନ ହୋଇପାରେ ନାହିଁ ତାହାର ଏକ ମୁଖ୍ୟ କାରଣ ହେଉଛି ମାନଦଣ୍ଡର ଅଭାବ । ଏଣେ ଲୋକପ୍ରିୟତା ଦୃଷ୍ଟିରୁ ହାସ୍ୟରସର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି । ସାଧାରଣ ମଣିଷ ଯେକି ସାହିତ୍ୟ ବିଷୟରେ କିଛି ନଜାଣେ ସେ ହାସ୍ୟରସକୁ ଉପଭୋଗ କରେ । ସେହି ସମାଜର ମିଳିଛି ଗଣକବି ବୈଷ୍ଣବ ପାଣିଙ୍କର ସୁଆଙ୍ଗ ଓ ପ୍ରହସନମାନଙ୍କୁ । ପତ୍ରପତ୍ରିକା ମଧ୍ୟରୁ ଫତୁରାନନ୍ଦଙ୍କର ହାସ୍ୟରଚନା ମଧ୍ୟ ସେହିପରି ଜନାଦୃତ ହୋଇଛନ୍ତି । କ୍ରମେ ତାହାର ଶକ୍ତିଶାଳୀ ପ୍ରଭାବ ବୁଦ୍ଧିଜୀବୀ ମହଲରେ ମଧ୍ୟ ପଡ଼ିଛି ଏବଂ ତାଙ୍କର ପରବର୍ତ୍ତୀକାଳର ହାସ୍ୟରଚନା ଉପରେ ମଧ୍ୟ ଏକ ଅଲିଭା ଛାୟା ପକାଇ ପାରିଛି । ତାଙ୍କର ସମସାମୟିକ ଲେଖକମାନଙ୍କ ମଧ୍ୟରେ ମଧ୍ୟ ତାଙ୍କର ସ୍ତାବକ ଊଣା ନୁହନ୍ତି । ମହାପାତ୍ର ନୀଳମଣି ସାହୁ, ବାମାଚରଣ ମିତ୍ର, କୁଳମଣି ମହାପାତ୍ର ଓ ମୋତେ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ । ପରବର୍ତ୍ତୀ ଲେଖକଙ୍କ ମଧ୍ୟରୁ ରାଧୁମିଶ୍ର, ଅନାଦି ଚରଣ ସାହୁ ଏବଂ ‘ଡଗର’ ପୃଷ୍ଠାରେ ଲେଖୁଥିବା ଅନେକ ହାସ୍ୟସ୍ରଷ୍ଟା ତାଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ପ୍ରତ୍ୟକ୍ଷଭାବରେ ହେଉ ବା ପରୋକ୍ଷ୍ୟ ଭାବେ ହୁଅନ୍ତି । କେବଳ ଜଣେ ଲୋକ ଭାବରେ ନୁହେଁ, ହାସ୍ୟରସର ପୃଷ୍ଠପୋଷକ, ଉତ୍ସାହଦାତା ଓ ସକ୍ରିୟ ଆୟୋଜକ ଭାବରେ ମଧ୍ୟ ଫତୁରାନନ୍ଦ ଅନନ୍ୟ । ‘ଡଗର’ ପତ୍ରିକାର ବହୁବର୍ଷ ବ୍ୟାପୀ ସମ୍ପାଦନା ଓ ପ୍ରକାଶନ, ‘ସରସ ସାହିତ୍ୟ ସମିତି’ ଓ ହାସ୍ୟ ବିକାଶ କେନ୍ଦ୍ର’ର ପ୍ରତିଷ୍ଠା କରିବା ଓ ସମୟେ ସମେୟ ହାସ୍ୟ ସମ୍ବନ୍ଧିତ ସମାରୋହ, ପୁରସ୍କାର, ମାନପତ୍ର ଓ ପ୍ରତିଯୋଗିତାର ଆୟୋଜନ କରିବା ମଧ୍ୟ ହାସ୍ୟସାହିତ୍ୟ ଲାଗି କିଛି କମ୍‌ ଅବଦାନ ନୁହେଁ । ଏସବୁ ସେ ଅନ୍ୟମାନଙ୍କଠାରୁ କିଛି ସାହାଯ୍ୟ ପ୍ରତି ଭ୍ରୂକ୍ଷେପ ନକରି କରିଯାଇଛନ୍ତି । ନିଜର ରୋଗଗ୍ରସ୍ତ ଦୁର୍ବଳ ଶରୀର ଦୃଷ୍ଟିଶକ୍ତି ମଧ୍ୟ କ୍ଷୀଣ ହୋଇଯାଇଛି, କାହାରିକି ସାଙ୍ଗରେ ନପାଇଲେ କେଉଁଠିକି ଯା’ଆାସ କରିବା ଅସମ୍ଭବ-ଏହିସବୁ ବାଧାବିଘ୍ନକୁ ଖାତିରି ନକରି ସେ ହାସ୍ୟସାହିତ୍ୟ ପାଇଁ କଠିଣ ପରିଶ୍ରମ କରିଛନ୍ତି । ତାଙ୍କୁ ଏଭଳି ଖଟୁଥିବାର ଦେଖି କେହି କେହି ତରୁଣ ସ୍ୱତଃପ୍ରବୃତ୍ତ ହୋଇ କାମ କରିବାକୁ ଆଗେଇ ଆସିଛନ୍ତି । ତାଙ୍କର ଉତ୍ସାହ ସତେଯେପରି ଏକ ସଂକ୍ରାମକ ବ୍ୟାଧିଭଳି ବ୍ୟାପିଯାଇଛି । ତାଙ୍କ ସାଙ୍ଗରେ ଯେଉଁ ତରୁଣମାନେ କାମ କରିଛନ୍ତି, ଯେଉଁ ବିଦ୍ୱାନ ଅଧ୍ୟାପକମାନେ ‘ଡଗର’ କାର୍ଯ୍ୟଳୟରେ ବସି ପ୍ରୁଫ୍‌ ଦେଖିବାକୁ ସ୍ୱେଚ୍ଛାରେ ଆସିଛନ୍ତି ସେମାନେ ଫତୁରାନନ୍ଦଙ୍କର ଆକର୍ଷଣୀ ଶକ୍ତି ଯୋଗୁରୁ, ତାଙ୍କର ମଧୁର ବ୍ୟବହାର ଯୋଗୁରୁ ତାଙ୍କର କାର୍ଯ୍ୟରେ ଯୋଗ ଦେଇଛନ୍ତି, କୌଣସି ପ୍ରାପ୍ତି ବା ଖ୍ୟାତି ଆଶାରେ ନୁହେଁ । ହାସ୍ୟ ରଚନା ଲାଗି ସେମାନଙ୍କ ମନରେ ଏକ ଶ୍ରଦ୍ଧା ନିଶ୍ଚୟ ଜାଗ୍ରତ ହୋଇପାରିଛି । ସେମାନେ ନିଜନିଜର ଅବଦାନ ମଧ୍ୟ ପରବାର୍ତ୍ତୀ କାଳରେ ଦେଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ହାସ୍ୟରସ ଲାଗି ସ୍ୱୟଂସେବକ ହୋଇ ରହିପାରନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଫତୁରାନନ୍ଦଙ୍କ ଉପରେ ଗବେଷଣାକରି ଡକ୍ଟରେଟ୍‌ ଡିଗ୍ରୀ ଲାଭ କରିଥିବା ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ । ତାଙ୍କର ଥିସିସ୍‌ଟି ଯେପରି ପୁସ୍ତକାକାରରେ ପ୍ରକାଶିତ ହୋଇଛି, ତାଙ୍କର ସମ୍ପାଦିତ ଫତୁରାନନ୍ଦଙ୍କ ଉପରେ ଲେଖକ ଲେଖିକାଙ୍କର ରଚନାର ସଂଗ୍ରହ ଘେନି ‘ବିଦଗ୍ଧ ହାସ୍ୟରସିକ-ଫତୁରାନନ୍ଦ’ ଶୀର୍ଷକ ପୁସ୍ତକ ମଧ୍ୟ ପ୍ରକାଶିତ ଓ ଆଦୃତ ହୋଇଛି । ‘ହାସ୍ୟ ବିକାଶ କେନ୍ଦ୍ର’ର ବାର୍ଷିକ ସମ୍ମିଳନୀର ଆୟୋଜନ ଓ ପୁରସ୍କାର ପ୍ରଦାନ ଆଦି କର୍ମ ସେ ହାତକୁ ନେଇଛନ୍ତି ଓ ନିଜର ସହକର୍ମୀ ଓ ଛାତ୍ରମାନଙ୍କୁ ମଧ୍ୟ ହାସ୍ୟରସର ସେବାରେ ଉଦ୍‌ବୁଦ୍ଧ କରିପାରିଛନ୍ତି । ସେ ଅନ୍ୟ ଅଧ୍ୟାପକମାନଙ୍କର ଦୃଷ୍ଟି ମଧ୍ୟ ଫତୁରାନନ୍ଦଙ୍କର ସୃଷ୍ଟି ପ୍ରତି ଆକୃଷ୍ଟ କରି ଦେଖାଇ ଦେଇଛନ୍ତି ଯେ ଫତୁରାନନ୍ଦଙ୍କର ବିପୁଳ କୃତିର ଉପଯୁକ୍ତ ମୂଲ୍ୟାୟନ ଅଦ୍ୟାପି ହୋଇପାରି ନାହିଁ । ଏହି ଅଭାବ କିୟଦଂଶରେ ଉପଯୁକ୍ତ ପ୍ରବନ୍ଧ ସଂଗ୍ରହ ପୂରଣ କରିଛି, କିନ୍ତୁ ବହୁତ କାମ ବାକି ଅଛି । ଆଶା କରାଯାଏ ଡକ୍ଟର ବିଜୟାନନ୍ଦ ସିଂହଙ୍କର ଉଦ୍ୟମ ଫଳରେ ଭବିଷ୍ୟତରେ ତାଙ୍କର କୃତିମାନଙ୍କ ଉପରେ ଅଧିକତର ଗବେଷଣା ହେବ ଏବଂ ତାହାର ବିଭିନ୍ନ ଦିଗ କ୍ରମେ ଉନ୍ମୋଚିତ ହେବ ।

 

ଫତୁରାନନ୍ଦଙ୍କର ହାସ୍ୟରଚନାର କେତେକ ବୈଶିଷ୍ଟ୍ୟ ପ୍ରତି ବର୍ତ୍ତମାନ ଦୃଷ୍ଟି ଆକର୍ଷଣ କରାଯିବ । ପ୍ରଥମତଃ, ତାଙ୍କ ରଚନା ସମ୍ପୂର୍ଣ୍ଣରୂପେ କଟକ ସହରର ବାତାବରଣ ମଧ୍ୟରେ ସୀମିତ । ସେ ଅନ୍ୟ ସହର, ଅନ୍ୟ ରାଜ୍ୟ କି ଅନ୍ୟ ଦେଶ କଥା କେବେ ତାଙ୍କ ରଚନା ଭିତରକୁ ଆଣିନାହାନ୍ତି । କଟକ ସହରହିଁ ତାଙ୍କର ବିଶ୍ୱଦର୍ପଣ ରୂପେ କାର୍ଯ୍ୟ କରିଛି । ଦ୍ୱିତୀୟତଃ, ସେ ନିଜର ରଚନାରେ ପ୍ରାୟତଃ ସାଧାରଣ ଲୋକ, ଯେଉଁମାନେ ଗରିବ ବା ମଧ୍ୟବିତ୍ତ, ଯେଉଁମାନେ ବୁଦ୍ଧି ବିଦ୍ୟା କ୍ଷେତ୍ରରେ ଖୁବ୍‌ ଅଗ୍ରସର ନୁହନ୍ତି, ଅଧିକାଂଶ ସମୟରେ ସେମାନଙ୍କୁ ସ୍ଥାନିତ କରିଛନ୍ତି । କଟକ ସହରର ସମ୍ଭ୍ରାନ୍ତ ଓ ସମ୍ମାନନୀୟ ବ୍ୟକ୍ତିଗଣ କଦବା କ୍ୱଚିତ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତୃତୀୟତଃ, ତାଙ୍କର ବ୍ୟଙ୍ଗର ଛୁରୀଟି ସର୍ବଦା ରାଜନୀତିକ ନେତାଙ୍କୁ ଆକ୍ରମଣ କରିନାହିଁ, କେତେକ ସାହିତ୍ୟକ ଯୋଗାଡ଼ିଆଙ୍କୁ ଓ ବ୍ୟବସାୟୀଙ୍କୁ ମଧ୍ୟ ଶରବ୍ୟ କରିଦେଇଛି । ଫତୁରାନନ୍ଦଙ୍କର ଅବ୍ୟବହିତ ପୂର୍ବରୁ ରାଜନୀତିକ ଧାରାର ବ୍ୟଙ୍ଗ ମୁଖ୍ୟତଃ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଗୋଦାବରୀଶ ମହାପାତ୍ରଙ୍କର ରଚନାରେ ଦେଖା ଦେଇଥିଲା । ଫତୁରାନନ୍ଦ ସେହି ଧାରାକୁ ବଜାୟ ରଖିଛନ୍ତି ଏବଂ ଆହୁରି ଶାଣିତ କରିଛନ୍ତି । ତାଙ୍କର ଲେଖାମାନ ନାନାବିଧ ଭ୍ରଷ୍ଟାଚାର, ଦୁର୍ନୀତି ଓ କପଟାଚାରିତାକୁ ସିଧାସଳଖ, ସରଳ ଭାଷାରେ ଉପସ୍ଥାପିତ କରିଥାନ୍ତି । ସେଠାରେ ନିର୍ବାଚନର ରାଜନୀତିକ ପେଞ୍ଚ, ମଦଗଞ୍ଜେଇ ଆଦିର ଚୋରା ଚାଲାଣ, ଅପମିଶ୍ରଣ, ଲାଞ୍ଚମିଛ ଆଦି ବହୁ ଅକର୍ମର ପର୍ଦ୍ଦାଖୋଲି ଦେଖାଇ ଦେଇଛନ୍ତି । ଫତୁରାନନ୍ଦଙ୍କର ଚତୁର୍ଥ ବୈଶିଷ୍ଟ୍ୟ ହେଉଛି ତାଙ୍କର ଶବ୍ଦ ଚୟନ ଓ ନୂଆଶବ୍ଦର ସୃଷ୍ଟି । ‘ନିଦା ବେହେଲ’, ଓଲଟା କିଳା, ମନ୍ଦ ପାଞ୍ଚିଆ କଲିକତି ଚେଙ୍କ, ଘଣ୍ଟିଝରର, ଅଲଣାକଥା, ଟାପୁରିଆ ଆଦି ଶବ୍ଦ ଅନାୟାସ ସଂଗୃହୀତ ଉଦାହରଣ । ତାଙ୍କର ଶୀର୍ଷକମାନେ ମଧ୍ୟ ଅଭିନବ ନାମକରଣ ପ୍ରାପ୍ତ ହୋଇଛନ୍ତି ଯଥା : ଗବଦଲ୍‌ ଖାସୁ, ଧୋବେଇ ଖଣ୍ଟ, ଗୁଗୁରି ପେଞ୍ଚ, କାଢ଼ୁମର୍ଦ୍ଦନ, ଚୁଙ୍ଗୁଚୁଙ୍ଗିଆ ବାଙ୍କା, ହେଙ୍କଡ଼ ଧୃମ, ଭଣ୍ଡୁର ବୋପା ଇତ୍ୟାଦି, ତାଙ୍କର ଶବ୍ଦ ପ୍ରୟୋଗ ମଧ୍ୟ ଅଭିନବତ୍ୱରେ ପରିପୂର୍ଣ୍ଣ । ‘ଅବସ୍ଥା ଅଠାଠିକ୍‌’ ନବେଡିଗ୍ରିଆ ନମସ୍କାର, ଫାଳିକିଆଜୋର, ପାପାଇଜମ୍‌, ମାମାଇଜମ୍‌, ଆଠମାସିଆ ଛୁଆ, ମହା ମେଣ୍ଟିଆ, ବଡ଼କଚୁର୍‌, କୁତୁରୁପିଆ କାମ, ଡବଲଫୁଲ୍ଲ ଆଦି ଏହାର ଉଦାହରଣ । ସେହିପରି ବିଶେଷଣ ଦ୍ୱାରା ବ୍ୟଙ୍ଗାତ୍ମକ ଶବ୍ଦ ସୃଷ୍ଟିର ଉଦାହରଣ ହେବ ‘କଥାଚାଳିଆ ମନ୍ତ୍ରୀ’ ‘ତୈମୁରଲଙ୍ଗୀ ଅତ୍ୟାଚାର’, ‘ସଇତାନ ବଜାର’, ‘ହାଇବ୍ରିଡ଼୍‌ ଜ୍ୟୋତିଷୀ’ ଆଦି ଶବ୍ଦ । ତାଙ୍କର ପଞ୍ଚମ ବୈଶିଷ୍ଟ୍ୟ ହେଉଛି ତାଙ୍କର ନିଜସ୍ୱ ଏକ ବାକ୍ୟଗଠନର ଶୈଳୀ, ତାଙ୍କର ଶୈଳୀରେ ବାହୁଲ୍ୟ ନାହିଁ, ଅସ୍ୱାଭାବିକତା ନାହିଁ । ଏହାର ସାରଲ୍ୟ, ପ୍ରତ୍ୟକ୍ଷ, ଅଭିବ୍ୟକ୍ତି ଓ ମୌଖିକ ଭାଷାର ବ୍ୟବହାର ତାକୁ ପ୍ରଭାବଶାଳୀ କରିଦିଏ । ସାମ୍ଭ୍ରାନ୍ତ୍ୟର ଭାଷାକୁ ସେ ପରିହାର କରିଛନ୍ତି, କୃତିମ, ପାଣ୍ଡିତ୍ୟ, ଅଯଥା ବିଦ୍ୟାଭିମାନକୁ ସେ ଉପହାସ କରିଛନ୍ତି । ତାଙ୍କର କବିତା ଓ ଲାଳିକା, ସାହିମହାଭାରତଠାରୁ ଆରମ୍ଭକରି ଗୋଜଭାଗବତ ଯାକେ ଯେତିକି ଛନ୍ଦୋମୟ ସେତିକି ମର୍ମସ୍ପର୍ଶୀ । ପ୍ରତ୍ୟେକ କୃଷ୍ଟିର ଯେଉଁ ନିଜସ୍ୱ ତାଳ-ମାନ-ଲୟ ରହିଥାଏ, ତାହାର କାବ୍ୟ ଓ ପୁରାଣମାନଙ୍କରେ ତାହା ପ୍ରତିଫଳିତ ହୋଇଥାଏ । ସେହି ଶୈଳୀକୁ ଅବଲମ୍ବନ କରି ଫତୁରାନନ୍ଦ ଉପଯୁକ୍ତ ପୁରାଣମାନ, ବିଭିନ୍ନ ପରିଚିତ କାବ୍ୟର ଓ ପୁରାତନ ରୀତି ଯୁଗୀୟ କବିତାର ଅବଲମ୍ବନରେ ଲାଳିକା, ସଂସ୍କୃତ ଶ୍ଳୋକମାନଙ୍କର ମଧ୍ୟ ବ୍ୟଙ୍ଗାନୁକରଣ ଲେଖିଛନ୍ତି । ଅନେକ ସମୟରେ ଅନ୍ୟାନ୍ୟ ଛଦ୍ମନାମରେ ଏସବୁ ସେ ପ୍ରକାଶିତ କରିଛନ୍ତି, କେତେବେଳେ ନକଲିଆ, କେତେବେଳେ ଭକ୍ତାନନ୍ଦ, ରାଧାଗେରସ୍ତ ରାୟ, ଥଣ୍ଟୁଆମୁନି ଆଦି ନାମରେ ସେସବୁ ଲେଖାହୋଇଛି । କେହି କେହି ଅନୁମାନ କରନ୍ତି, ଫତୁରାନନ୍ଦ ଲାଳିକାର କବି ଭାବରେ ପରିଚିତ ହେବାକୁ ଚାହାନ୍ତି ନାହିଁ । ପ୍ରକୃତରେ କିନ୍ତୁ ‘ଡଗର’ ପୃଷ୍ଠାରେ ପ୍ରକାଶ କରିବାଲାଗି ବିଭିନ୍ନ ନାମରେ ଅବତାରଣା କରିବାକୁ ହୋଇଛି ବେଲି ଅନୁମାନ କରାଯାଏ । ପତ୍ରିକାର ପୃଷ୍ଠା ଭର୍ତ୍ତି କରିବାକୁ ଏପରି ବେଳେବେଳେ ସମ୍ପାଦକଙ୍କୁ କରିବାକୁ ହୋଇଥାଏ । ଛପାହେବା ବେଳକୁ ଲେଖାର ଅଭାବ ଦେଖାଗଲେ ଏପରି ଭାବରେ ପୃଷ୍ଠାତକ ଭରିବାକୁ ହୋଇଥାଏ । ଏହାଛଡ଼ା ସେ ଗୋଟିଏ ଉପନ୍ୟାସ, ଗୋଟିଏ ନାଟକ, କିଛି ଅନୁବାଦ ଓ କେତେକ ଗମ୍ଭୀର କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରିଥିଲେ । ତାଙ୍କର ପ୍ରତିଭା ବହୁମୂଖୀ ବୋଲି ଜଣାପଡ଼େ । ତଥାପି ସେ ନିଜର ପ୍ରକୃତ ସାହିତ୍ୟିକ ବିଭାଗ ଖୋଜି ପାଇବା ଦିନୁ ସବୁତକ ଶକ୍ତି ହାସ୍ୟରସାତ୍ମକ ରଚନାକୁ ହିଁ ଦେଇଛନ୍ତି ଏବଂ ତାହାହିଁ ତାଙ୍କର ପରିଚୟ ହୋଇ ରହିଯାଇଛି । ତାଙ୍କ କଲମର ପ୍ରତ୍ୟେକ କାଳିବୁନ୍ଦା କେବଳ ହାସ୍ୟରସର ସୃଷ୍ଟି ଲାଗି ଉତ୍ସର୍ଗୀକୃତ ହୋଇଥିଲା ବୋଲି ଜଣେ ସମାଲୋଚକ ଯଥାର୍ଥରେ ଲେଖିଛନ୍ତି ।

 

ଅଧିକାଂଶ ସମାଲୋଚକ ହାସ୍ୟରସକୁ ଗୁରୁତ୍ୱ ଦେବାକୁ ନାରାଜ । ଯେଉଁମାନେ ଫତୁରାନନ୍ଦଙ୍କର ସୃଷ୍ଟିକୁ ବିଚାର କରିବସିଛନ୍ତି, ସେମାନେ ଯେ ସଦାବେଳେ କୌଣସି ମାନକ କଷଟି ଦେଇ ପରୀକ୍ଷା କରିବସିଛନ୍ତି ତାହା ନୁହେଁ । ସେବସୁ ମନ୍ତବ୍ୟରେ କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ହିଁ କାମ କରିଥିବ । କେହି କେହି ତାଙ୍କ ଉପରେ ଅଶ୍ଳୀଳତାର ଆରୋପ କରିଛନ୍ତି, କେହି କେହି ପୁଣି କୁରୁଚିପୂର୍ଣ୍ଣ ବର୍ଣ୍ଣନାର ଆକ୍ଷେପ କରିଛନ୍ତି । ଏଣେ ଯେଉଁମାନେ ତାଙ୍କର ରଚନାକୁ ଉପଭୋଗ କରିଛନ୍ତି, ସେମାନେ ମୁକ୍ତକଣ୍ଠରେ ତାଙ୍କର ଭାଷା, ଶୈଳୀ ଓ ଲୋକଚରିତ୍ର ଜ୍ଞାନର ପ୍ରଶଂସା କରିଛନ୍ତି ଏବଂ କେହି କେହି କହିଛନ୍ତି ଯେ ଆଜୀବନ ସାଧକ ଫତୁରାନନ୍ଦ ହାସ୍ୟରସର ଏପରି ଏକ ଧାରା ସୃଷ୍ଟିକରିଗଲେ ତାହା ଓଡ଼ିଆ ସାହିତ୍ୟରେ ଅନନ୍ୟ । ସେ ହାସ୍ୟରସ ମାଧ୍ୟମରେ ଏକପ୍ରକାର ଆଦର୍ଶ ସମାଜର ରେଖାଚିତ୍ର ଅଙ୍କନ କରିଛନ୍ତି ଯାହା ହୋଇଥିବ ଶୋଷଣ ମୁକ୍ତ, ଦୁର୍ନୀତି ମୁକ୍ତ ଓ ସମଦୃଷ୍ଟି ସମ୍ପନ୍ନ । ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ବିଖ୍ୟାତ ଐତିହାସିକ ଓ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ସାହିତ୍ୟିକ ଡଃ. ହରେକୃଷ୍ଣ ମହତାବ, ବିଖ୍ୟାତ ଔପନ୍ୟାସିକ ଓ ବରିଷ୍ଠ ସାହିତ୍ୟକ କାଳିନ୍ଦୀଚରଣ ପାଣିଗ୍ରାହୀ, ପ୍ରଫେସର କୁଞ୍ଜବିହାରୀ ଦାଶ, ବିଶିଷ୍ଟ ଗାଳ୍ପିକ ରାଜକିଶୋର ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି, ସାହିତ୍ୟିକ ଓ ଚିନ୍ତକ ଚନ୍ଦ୍ରଶେଖର ରଥ, କବି ରବି ସିଂ ଆଦି ଅନେକ ସାହିତ୍ୟପ୍ରେମୀଙ୍କର ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ତାହା ଛଡ଼ା, ଯେଉଁମାନେ ହାସ୍ୟରଚନାରେ ହାତ ଦେଇଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ଫତୁରାନନ୍ଦଙ୍କର ସ୍ତାବକ ହୋଇଛନ୍ତି । ଅଧ୍ୟାପକ କୁଳମଣି ମହାପାତ୍ର, ଏହି ଲେଖକ, ରାଧୁ ମିଶ୍ର, ଅନାଦିଚରଣ ସାହୁ ଆଦି ବହୁ ସକ୍ରିୟ ହାସ୍ୟସ୍ରଷ୍ଟା ଏହି ପ୍ରର୍ଯ୍ୟାୟରେ ଗଣ୍ୟ ହେବେ । ଓଡ଼ିଶା ବାହାରେ ମୋ ଜାଣିବାରେ ହିନ୍ଦୀରେ ହାସ୍ୟରସାତ୍ମକ ରଚନା ଲେଖିଥିବା ନରେନ୍ଦ୍ର ଲୁଥର, ଉର୍ଦ୍ଦୁର ହାସ୍ୟ ଲେଖକ ମୁଜତବା ହୁସେନ୍‌ ତାଙ୍କର ବିଶେଷରୂପେ ପ୍ରଶଂସା କରିଛନ୍ତି । ନରେନ୍ଦ୍ର ଲୁଥରଙ୍କୁ ‘ସରସ ସାହିତ୍ୟ ସମିତି’ କଟକ ‘ହାସ୍ୟାର୍ଣ୍ଣବ’ ଉପାଧି ଦେଇଥିଲା । ମୁଜତବା ହୁସେନ୍‌ ହାଇଦରାବାଦ, ଆନ୍ଧ୍ରପ୍ରଦେଶର ‘ଜିନ୍ଦାଦିଲାନେ ହାଇଦରାବାଦ୍‌’ ନାମକ ହାସ୍ୟଭିତ୍ତିକ ସଂସ୍ଥାର ସକ୍ରିୟ ପ୍ରତିଷ୍ଠାତା ଏବଂ ଏନ୍‌ସିଇଆରଟି ନୂଆଦିଲ୍ଲୀର ପ୍ରକାଶନ ବିଭାଗର ଜଣେ କର୍ମକର୍ତ୍ତା ଥିଲେ । ଭାରତବର୍ଷର ବିଭିନ୍ନ ଭାଷାରୁ ସଂଗୃହୀତ ହାସ୍ୟରଚନାରେ ଯେଉଁ ସଂକଳନଟି ସେ ପ୍ରକାଶ କରିଥିଲେ, ଫତୁରାନନ୍ଦ ତାହାର ଅନୁବାଦ କରି ଓଡ଼ିଆ ପାଠକମାନଙ୍କ ଲାଗି ଏକ ଅପୂର୍ବ ସଂପଦ ରଖିଯାଇଛନ୍ତି । ଫତୁରାନନ୍ଦ ମୁଜତବା ହୁସେନ୍‌ଙ୍କର ପ୍ରଶଂସକ ଥିଲେ । ମୁଜତବା ହୁସେନ୍‌ ମୋର ସହକର୍ମୀ ହୋଇଥିବାରୁ ଅନେକ ସମୟରେ ତାଙ୍କଠାରୁ ଫୁତରାନନ୍ଦଙ୍କର ପ୍ରଶଂସା ଶୁଣିଛି । ଫତୁରାନନ୍ଦଙ୍କ ପରି ସେ ପୂର୍ଣ୍ଣଭାବେ ହାସ୍ୟ ଲାଗି ସମର୍ପିତ ନହେଲେ ମଧ୍ୟ ବହୁବର୍ଷଧରି ତହିଁରେ ନିଜର ସମୟ ଓ ଶକ୍ତି ଦେଇ ଆସିଛନ୍ତି । ଠିକ୍‌ କିପରି ଭାବରେ ତାଙ୍କର ଫତୁରାନନ୍ଦଙ୍କ ସଙ୍ଗେ ପରିଚୟ ଓ ସମ୍ପର୍କ ସ୍ଥାପିତ ହୋଇଥିଲା ତାହା ମୋତେ ଜଣାନାହିଁ । ମୁଁ କେବଳ ତାଙ୍କର ଫତୁରାନନ୍ଦଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଲକ୍ଷଣ ହିଁ ଦେଖିଥିଲି । କେବଳ ହାସ୍ୟ ଜଗତର ଲୋକ ନୁହଁନ୍ତି, ଅନ୍ୟ ପେଶାର ଅନେକ ଲୋକ ତାଙ୍କର ମୁଗ୍ଧ ସ୍ତାବକ ହୋଇଛନ୍ତି । ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଅର୍ଥନୀତି ଓ ରାଜନୀତି ବିଜ୍ଞାନର ଗମ୍ଭୀର ଚିନ୍ତାନାୟକ ଓ ଗୁରୁ, କିନ୍ତୁ ତାଙ୍କର ମଧ୍ୟ ଅକୁଣ୍ଠ ପ୍ରଶଂସା ଫତୁରାନନ୍ଦଙ୍କ ଲାଗି ରହିଥିଲା । ସେହିପରି ନ୍ୟାୟମୂର୍ତ୍ତି ହରିହର ମହାପାତ୍ର ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ତାଙ୍କର ପ୍ରତିଷ୍ଠିତ ସରସ ସାହିତ୍ୟ ସମିତି ଓ ହାସ୍ୟ ବିକାଶ କେନ୍ଦ୍ର ସଙ୍ଗେ ଫତୁରାନନ୍ଦଙ୍କର ଆକର୍ଷଣୀ ଶକ୍ତି ହେତୁ ସଂପୃକ୍ତ ହୋଇଛନ୍ତି । ଓଡ଼ିଶାର ବହୁ ପ୍ରତିଷ୍ଠାନ ଫତୁରାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ସାରଳା ସାହିତ୍ୟ ସମିତି, ଭୁବନେଶ୍ୱର, ଯଦୁମଣି ସାହିତ୍ୟ ସଂସଦ, ନୟାଗଡ଼, ସାରଳା ସାହିତ୍ୟ ସପଂଦ, ଉତ୍କଳ ପାଠକ ସଂସଦ, ରାଧାନାଥ ପାଠାଗାର, ସୋର ଏବଂ ଆହୁରି ଅନେକ ପ୍ରତିଷ୍ଠାନ ଏଥିରେ ଗଣ୍ୟ ହେବେ । ସବୁଠାରୁ ଭଲ ନାଗରିକ ସମ୍ବର୍ଦ୍ଧନା ତାଙ୍କୁ ରାଉରକେଲାବାସୀ ଦେଇଥିଲେ । ଏପରି ଏକ ନାଗରିକ ସମ୍ବର୍ଦ୍ଧନା କୌଣସି ଲେଖକ ପାଇଁ ଓଡ଼ିଶାରେ କେଉଁଠି ଦିଆଯାଇଥିବାର ଶୁଣାଯାଇ ନାହିଁ । ଏହି ସମ୍ବର୍ଦ୍ଧନାର ମୁଖ୍ୟ ଆୟୋଜକ ରାଧୁମିଶ୍ରଙ୍କଠାରୁ ସେହି ଉତ୍ସବର କିଛି ବିବରଣ ପରେ ଶୁଣିବାକୁ ପାଇଥିଲି । ତାଙ୍କ ଲାଗି ଏକ ସମ୍ବର୍ଦ୍ଧନା ପୁସ୍ତିକା ଓ ଦଶହଜାର ଟଙ୍କାର ଉପହାର ମଧ୍ୟ ସେହି ଉତ୍ସବରେ ତାଙ୍କୁ ଅର୍ପଣ କରାଯାଇଥିଲା । ସେହି ଟଙ୍କାକୁ ସେ ତତ୍‌କ୍ଷଣାତ୍‌ ହାସ୍ୟରସର ସେବା ପାଇଁ ହାସ୍ୟବିକାଶ କେନ୍ଦ୍ରକୁ ଅର୍ପଣ କରିଥିଲେ । ଫତୁରାନନ୍ଦଙ୍କୁ ଅନେକେ ଓଡ଼ିଆ ‘ସାରସ୍ୱତ ଜଗତର ଅନ୍ଧ ତପସ୍ୱୀ’ ବୋଲି କହିଥାନ୍ତି । ଏହି ସମ୍ବୋଧନ ତାଙ୍କ ଲାଗି ଯଥାର୍ଥ । ସେ ଯେତିକି ନିର୍ଲୋଭ, ଆତ୍ମତ୍ୟାଗୀ ଓ ନିଷ୍ଠାପର ଭାବେ ହାସ୍ୟ ସାହିତ୍ୟ ପ୍ରତି ନିଜକୁ ଉତ୍ସର୍ଗ କରିଛନ୍ତି, ତାହାର କେଉଁଠାରେ ପଟାନ୍ତର ନାହିଁ । ‘ନିଜକୁ ଉତ୍ସର୍ଗ କରିବା’ କଥାଟାର ମର୍ମ ତାଙ୍କ କ୍ଷେତ୍ରରେ ଅନେକ ବେଶି । ସେ ଯେ ଖାଲି କାଳି କଲମରେ ହାସ୍ୟରସର ସେବା କରିଗଲେ ତାହା ନୁହେଁ, ସେ ନିଜର ସର୍ବସ୍ୱ ତାହାର ସେବାରେ ଉତ୍ସର୍ଗ କରିଗଲେ । ୧୯୪୯ ମସିହାରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କ ଅନୁରୋଧ ଯୋଗୁ କାନ୍ତକବି ପ୍ରତିଷ୍ଠିତ ‘ଡଗର’ ପତ୍ରିକାକୁ ନିଜଘରେ ସ୍ଥାପିତ କରିବାର ସବୁ ବନ୍ଦୋବସ୍ତ କରିବା ପରଠାରୁ ଆରମ୍ଭ ହେଲା ଏହି ଆତ୍ମୋତ୍ସର୍ଗର ଅଧ୍ୟାୟ । ତାଙ୍କ ଭାଷାରେ ‘ସେହି ଦିନଠାରୁ ଆଜିଯାଏ ମଦୁଆ ମଦଘଡ଼ାକୁ ଜକଟି ମକଟି ଧରିଲା ପରି ମୁଁ ‘ଡଗର’ କୁ କୁଣ୍ଢେଇ ଧରି ବସିଛି । ମୋ ଜୀବନରେ ଭଅଁର ଗୋଲାପ କଣ୍ଟାରେ ବିଦ୍ଧ ହେଲାପରି ଅଶେଷ ଯନ୍ତ୍ରଣା ଭୋଗିଛି ଓ ଭୋଗୁଛି ଏବଂ ମଲାଯାଏ ଭୋଗୁଥିବି ମଧ୍ୟ‘ । ନିଜର ସମ୍ପତ୍ତି ଯାହା କିଛି ଥିଲା ସବୁ ନେଇ ସେ ‘ସାହିତ୍ୟ ଜୁଆ ଖେଳି ଦେଲେ ।’ ସବୁ ଜୁଆରେ ଚାଲିଗଲା । ‘ଡଗରର ଘାଟି ସମୟ ପହଞ୍ଚିଗଲେ ମୁଁ ଜୁଆ ଖେଳ ଆରମ୍ଭ କରିଦିଏ ।’ ଏହିପରି ସର୍ବସ୍ୱ ଦାନ କଲାପରେ ‘ଡଗର’ ଏବଂ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କଠାରୁ ସେ ଯାହା ପାଇଲେ, ତାହା ଜାଣିଥିବା ଲୋକ ଲୁହକୁ ରୋକି ପାରିବ ନାହିଁ । ଯେତେବେଳେ ଡଗରର ପ୍ରେସ୍‌ଟିକୁ ନିତ୍ୟାନନ୍ଦବାବୁ ଉଠାଇ ନେଲେ, ସେତେବେଳେ ଡଗରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସ୍ୱପ୍ନ ଫତୁରାନନ୍ଦ ଦେଖୁଥିଲେ । ଡଗରର ରଜତ ଜୟନ୍ତୀ ଉତ୍ସବ ଏକ ସ୍ମରଣୀୟ ଘଟଣା ହୋଇ ରହିଥିଲା । ତାହାଠାରୁ ବଳି ଭବ୍ୟ ଅନୁଷ୍ଠାନ କରିବାକୁ ଯାଉଥିଲେ ଫତୁରାନନ୍ଦ । ରଜତ ଜୟନ୍ତୀ ଲାଗି ଦିନରାତି ପରିଶ୍ରମ କରିଥିଲେ ସେ ଏବଂ ତାଙ୍କ ଦ୍ୱାରା ଆହୂତ ସହକର୍ମୀମାନେ । ସୁବର୍ଣ୍ଣଜୟନ୍ତୀ ଆଉ ହୋଇ ପାରିଲା ନାହିଁ । ମଦୁଆ ଜକଟି ମକଟି ଧରିଥିବା ମଦଘଡ଼ାଟି କେହି ଛଡ଼ାଇ ନେଲା । ଜୀବନରେ ବହୁ ଦୁଃଖ ବହୁ ଆଘାତ ସହିଥିବା ମଣିଷଟି ଏହି ଘଟଣାରେ ଏତେ ବ୍ୟଥିତ ହୋଇପଡ଼ିଥିଲେ ଯେ କିଛି ଦିନ ସ୍ତବ୍ଧ ହୋଇ ରହିଗଲେ । ତେବେ ତାଙ୍କର ମନଭିତରର ହାସ୍ୟଝର ତ ବନ୍ଦ ହେବାର ବସ୍ତୁ ନୁହେଁ । ସେ ଦୁଃଖକୁ ମଧ୍ୟ ହସି ହସି ଲଘୁ କରିବାକୁ ଚେଷ୍ଟିତ ହେଲେ ଏବଂ ଅଚିରେ ସଫଳ ହେଲେ । ସେ କେତେ ଛଦ୍ମନାମ ନେଇ ଲେଖିଥିଲେ, ‘ଝାଡ଼ୁଦାର’, ‘ଥଣ୍ଟୁଆ ମୁନି’, ‘ଭାଣ୍ଡମୁନି’, କବିନାକ, କବି ଖୁଣ୍ଟ, ଦଣ୍ଡିମାରୁ, ଶ୍ରୀନକଲିଆ, ଶ୍ରୀରାଧା ଗେରସ୍ତ ରାୟ, ଭୁଷ୍‌ପଣ୍ଡିତ, ଶ୍ରୀ ଲଡ଼ୁଆ, ଲଘୁ ପତନକ, ଶ୍ରୀ କପିବାଜ, ଛୁ ଛନ ଛେ, ଶ୍ରୀ ଚଇଁପାଣି, ଗାତୁଆ ମୂଷା, ଶ୍ରୀ ଭେରେଣ୍ଡା, ଶ୍ରୀ ଛତର କରଣ, ଜଣେ ଆବୁଆ ବାବୁଜୀ ଭକ୍ତ, ଇତିହାସ ଷଣ୍ଢ ଆଦି । ଏସବୁ ଛଦ୍ମନାମର ପରଦା ଭେଦକରି ଫତୁରାନନ୍ଦଙ୍କର ନିଜସ୍ୱ ଶୈଳୀ ଅବଶ୍ୟ ଫୁଟି ଦିଶୁଥାଏ । ବିଷୟବସ୍ତୁର ବ୍ୟାପ୍ତି, ଲୋକଚରିତ୍ରର ଅନୁଧ୍ୟାନ ପ୍ରବଣତା ଏବଂ ଅଭିବ୍ୟକ୍ତିର ନାନା ମାଧ୍ୟମରେ ପାରଙ୍ଗମତା ଛଡ଼ା ଫତୁରାନନ୍ଦଙ୍କର ମୌଳିକତା ହିଁ ସର୍ବୋପରି ତାଙ୍କର ପ୍ରକୃତ ପରିଚୟ ।

 

ଫତୁରାନନ୍ଦ ତିରିଶ ଖଣ୍ଡି ବହି ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାଙ୍କର ଆହୁରି ଅନେକ ରଚନା ପୁସ୍ତକାକାରରେ ପ୍ରକାଶିତ ହେବା ବାକି ଅଛି । ତାଙ୍କର ରଚନା ମଧ୍ୟରେ ସେହି ତୀକ୍ଷ୍ଣ ଦୃଷ୍ଟି, ସେହି ବୁଦ୍ଧିଦୀପ୍ତ ପ୍ରକାଶଭଙ୍ଗୀ ଓ ସମାନ ପ୍ରକାରର ଶାଣିତ ବ୍ୟଙ୍ଗ ଦେଖିବାକୁ ମିଳେ । କେତେବେଳେ ସାମ୍ପ୍ରତିକ କାଳର ରିକ୍ତ ଚରିତ୍ର ଶାସକ, କେତେବେଳେ ଦୁର୍ନୀତିପରାୟଣ ଅମଲା ଏବଂ ଅଧିକାରୀ, କେବେ ବା ସାନ ବଡ଼ ରାଜନୀତିକ କର୍ମୀ, ବେପାରୀ, ପଣ୍ଡିତମନ୍ୟ ଅଧ୍ୟାପକ ଓ ବୁଦ୍ଧିଜୀବୀ, ସାହିତ୍ୟିକ, ଆଧୁନିକ କବି ଓ ସମାଲୋଚକ ଏବଂ ସବୁପ୍ରକାରର ହାମ୍‌ବଡ଼ା, ଅହଂକାରୀ ଦାହାଫୋଟିଆ ଚରିତ୍ରମାନେ ଗାଁଗଣ୍ଡାରୁ ସହର ଯୋକେ, ସମସ୍ତଙ୍କୁ ସେ ପଦାରେ ପକାଇବାକୁ ଚେଷ୍ଟିତ ହୋଇଛନ୍ତି । ଠାଏ ସେ ଲେଖିଛନ୍ତି ଯେ ଯାହାଙ୍କୁ ସେ ବ୍ୟଙ୍ଗବିଦ୍ରୂପର ଶରବ୍ୟ କରିଛନ୍ତି, ସେମାନେ ରାଗିଲେ ସେ ଅମୋଦିତ ହୋଇଥାନ୍ତି, କିନ୍ତୁ ସେମାନେ ବ୍ୟଥିତ ହେଲେ ସେ ଦୁଃଖିତ ହୋଇଥାନ୍ତି । ଅନ୍ୟ କଥାରେ କାହିବାକୁ ଗଲେ, ତାଙ୍କର ଏହି ବ୍ୟଙ୍ଗବିଦ୍ରୂପମାନ କୌଣସି ପ୍ରକାର ଆକ୍ରୋଶ ଦ୍ୱାରା ପ୍ରେରିତ ହୋଇନଥାଏ । ତାଙ୍କର ମନରେ ଥିଲା ଆଦର୍ଶ ନିର୍ମଳ ଶାସନ, ଦୁର୍ନୀତି ରହିତ ପ୍ରଶାସନ ଓ ଜନକଲ୍ୟାଣମୟ ପରସ୍ପର ସହାବସ୍ଥାନଶୀଳ ମନୁଷ୍ୟସମାଜ । ବର୍ତ୍ତମାନର ଆବର୍ଜନାକୁ ସଂସ୍କାର କଲେ ଯାଇ ସେହି ସ୍ୱପ୍ନ ସଫଳ ହେବ । ସେହିପରି ସ୍ୱପ୍ନ, ସେଖିବାକୁ ଗଲେ ଆମ ରାଷ୍ଟ୍ରନାୟକଙ୍କର ସ୍ୱାଧୀନତା ସଂଗ୍ରାମ ସମୟରୁ ରହିଥିଲା । ଦେଶ ସ୍ୱାଧୀନ ହେଲା, ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା କିନ୍ତୁ ସେସବୁ ସ୍ୱପ୍ନ ତ ସାକାର ହେଲା ନାହିଁ । ଏହାହିଁ ଫତୁରାନନ୍ଦଙ୍କର ଅନ୍ତରର ବେଦନା । ଏହା ତୁଳନାରେ ସେ ନିଜର ଦୈହିକ ଯନ୍ତ୍ରଣା, ସଂଗ୍ରାମରତ ଜୀବନଯାତ୍ରା, ଅଜସ୍ର ସ୍ୱପ୍ନଭଙ୍ଗକୁ ମଧ୍ୟ ପାସଙ୍ଗରେ ପକାଇନାହାନ୍ତି । ତେବେ ଅନ୍ୟପକ୍ଷରେ ସେ ଏହା ମଧ୍ୟ ଜାଣିଥିଲେ ଯେ କେବଳ ସାହିତ୍ୟରଚନା କରି ସମାଜର ସଂସ୍କାର ହୋଇପାରିବ ନାହିଁ । ଖୁବ୍‌ ହେଲେ ଏହାଦ୍ୱାରା ଏକ ପରୋକ୍ଷ ଗଣଚେତନା ଆଣାଯାଇ ପାରିବ । ଅଧିକାଂଶ କ୍ଷେତ୍ରରେ ଏହାର ପ୍ରଭାବ ଦୀର୍ଘସ୍ଥାୟୀ ହେବନାହିଁ । ତାଙ୍କର ରଚନାର ମୂଳ ଲକ୍ଷ୍ୟ ଯେବେ ହିସାବ କରାଯାଏ, ପ୍ରଥମ ଲକ୍ଷ୍ୟ ହେବ ନିଜେ ଆମୋଦିତ ହୋଇ କିଛିଟା ବ୍ୟକ୍ତିଗତ ଦୁଃଖଯନ୍ତ୍ରଣାରୁ ସାମୟିକ ମୁକ୍ତିଲାଭ । ଦ୍ୱିତୀୟ ଲକ୍ଷ୍ୟ ହେବ ଅନ୍ୟମାନଙ୍କୁ ହସାଇ ତାଙ୍କର ଦୁଃଖକୁ ଭୁଲାଇବାର ପ୍ରୟାସ, ତୃତୀୟ ଲକ୍ଷ୍ୟ ହେଉଛି ‘ଡଗର’ ପତ୍ରିକାକୁ ଜନପ୍ରିୟ କରି ତାହାକୁ ଚଳାଇ ରଖିବା । ଏତକ ପ୍ରାଥମିକ ଲକ୍ଷ୍ୟ ବୋଲି ଧରିନେଇ ପରବର୍ତ୍ତୀ ଲକ୍ଷ୍ୟ ହେଲା ହାସ୍ୟ ସାହିତ୍ୟ ଲାଗି ଏକ ଭାଷା ଓ ଶୈଳୀ ନିର୍ମାଣ କରିବା, ତାହା ଲାଗି ଉତ୍ତରପୁରୁଷମାନଙ୍କୁ ଉଦ୍‌ବୁଦ୍ଧ କରିବା ଏବଂ ତାହାର ପରିପ୍ରଚାର, ସଂରକ୍ଷଣ ଓ ସଂଗଠନ ଲାଗି ଆୟୋଜନ କରିବା ଯଦ୍ୱାରା ଏଯାବତ୍‌ ଅବହେଳିତ ହାସ୍ୟସାହିତ୍ୟ, ବ୍ୟଙ୍ଗଚିତ୍ର ଆଦି ନିଜର ମର୍ଯ୍ୟାଦା ପାଇ ପାରିବେ । ନିଜର ଜୀବଦ୍ଦଶା ମଧ୍ୟରେ ସେ ଏହି ଲକ୍ଷ୍ୟତକ କେତେ ଦୂର ପର୍ଯ୍ୟନ୍ତ ହାସଲ କରିପାରିଛନ୍ତି ତାହାର ଆକଳନ ଦରକାର ହେବନାହିଁ । ଆମେ ଜାଣୁ ଯେ ତାଙ୍କ ପୂର୍ବରୁ କେହି ଏସବୁ ଲକ୍ଷ୍ୟରେ କାମ କରିନଥିଲେ । ଭବିଷ୍ୟତରେ ଯେବେ କେହି ଏ କର୍ମକରିବାକୁ ତତ୍‌ପର ହୁଅନ୍ତି, ତାଙ୍କ ଲାଗି ଫତୁରାନନ୍ଦ ହେବେ ଏକମାତ୍ର ବତୀଖୁଣ୍ଟ । ଫତୁରାନନ୍ଦଙ୍କର ମୂଲ୍ୟାୟନ ଯେତେଦୂର ହେବାର କଥା, ସେଯାକେ ହୋଇନାହିଁ, ସେହିପରି ହାସ୍ୟସାହିତ୍ୟର ଯେତେଟା ମର୍ଯ୍ୟାଦା ସେ କଳ୍ପନା କରିଥିଲେ ସେତେଟା ହୋଇପାରିନାହିଁ । ତାଙ୍କର ସାହିତ୍ୟିକ ଦାୟାଦମାନେ ଯେବେ ସେତିକି ପରିମାଣରେ ସାଧନା କରନ୍ତି, ସେହିଭଳି ପଣକରି ଆଗେଇ ଆସନ୍ତି ତେବେ ଫତୁରାନନ୍ଦଙ୍କର ସ୍ୱପ୍ନ ସଫଳ ହୋଇପାରେ । ତାଙ୍କପରି ଗୁଣଧର, ତାଙ୍କପରି ସଂକଳ୍ପବଦ୍ଧ, ତାଙ୍କପରି ସମର୍ପିତ ହୋଇଥିଲେ ଯାଇ ଏହି ଲକ୍ଷ୍ୟ ହାସଲ ହୋଇ ପାରିବ । ଉପସ୍ଥିତ ନଜରକୁ ଏପରି କେହି ଆସୁନାହାନ୍ତି । ତେବେ କେବଳ ସାଂପ୍ରତିକ କାଳ ଓ ସ୍ଥାନକୁ ଆଖିରେ ରଖି ଅନାଗତ ଭବିଷ୍ୟତକୁ ଧରି ହୁଏନାହିଁ । ହୁଏତ ‘ଉତ୍‌ପତତେ କୋଽପି ମମ ସମାନଧର୍ମୀ’ ବୋଲି ସେ ମନେ କରୁଥିଲେ ଏବଂ ତାହାହିଁ ଦିନେ ହୋଇଯିବ । ସେ ହାସ୍ୟ-ଜଗତ ପ୍ରତି ଏକ ଆଶାବାଦୀ ଦୃଷ୍ଟି ପୋଷଣ କରିଥିଲେ ଯାହାକି ତାଙ୍କର ପୃଷ୍ଠପୋଷକତା ଲାଗି କିଛିଟା ଦାୟୀ । ସେହି ଦୃଷ୍ଟିରୁ ଆମର ମଧ୍ୟ ନିରାଶ ହେବା ଉଚିତ ନୁହେଁ । ତାଙ୍କର ସ୍ତାବକ, ଶିଷ୍ୟ ଓ ସାହିତ୍ୟିକ ଅନୁରାଗୀ ସମସ୍ତଙ୍କର ଫତୁରାନନ୍ଦଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଆଗେଇ ନେବାକୁ ସଂକଳ୍ପବଦ୍ଧ ହେବା ଏକ ପବିତ୍ର କର୍ତ୍ତବ୍ୟ । ତାହାହିଁ ତାଙ୍କର ଉପଯୁକ୍ତ ବୀର-ପୂଜା ।

 

ଫତୁରାନନ୍ଦୀ ସାହିତ୍ୟର ସଂକ୍ଷିପ୍ତ ସର୍ବେକ୍ଷଣ

ଫତୁରାନନ୍ଦଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ତିରିଶଟି ପୁସ୍ତକର ସୂଚୀ ଦେଖିବାକୁ ମିଳୁଛି । ତହିଁରୁ ୨୦ଟି ହାସ୍ୟଗଳ୍ପର ସଂକଳନ, ଗୋଟିଏ ଉପନ୍ୟାସ, ଗୋଟିଏ କବିତା ବହି, ଖଣ୍ଡିଏ କାବ୍ୟ, ଗୋଟିଏ ନାଟକ, ଦୁଇଟି ଅନୁବାଦ, ଗୋଟିଏ ରମ୍ୟରଚନା ସଂଗ୍ରହ, ଦୁଇଟି ଶିଶୁ ସାହିତ୍ୟ ଏବଂ ଗୋଟିଏ ଆତ୍ମଜୀବନୀ । ରୋଗବ୍ୟାଧି, ଅସରନ୍ତି ଦୁଃଖକଷ୍ଟ, ଅଭାବ ଅନଟନ ଏପରିକି ଦୃଷ୍ଟିହୀନ ଅବସ୍ଥାରେ ଥାଇ ଅବିଶ୍ରାନ୍ତ ସେ ଲେଖନୀ ଚାଳନା କରିଛନ୍ତି । ଏତେଗୁଡ଼ିଏ ରଚନା ସମ୍ଭାର ବ୍ୟତୀତ ଆଗରୁ କୁହାଯାଇଛି ଆହୁରି ଅନେକ ଛୋଟ ବଡ଼ ରଚନା ଅଦ୍ୟାପି ପୁସ୍ତକାକାରରେ ବାହାରି ନାହିଁ । ଓଡ଼ିଆ ସାହିତ୍ୟର ଖୁବ୍‌ କମ୍‌ ଲେଖକ ଏତେଗୁଡ଼ିଏ ସଫଳ ଓ ଲୋକପ୍ରିୟ ରଚନା ମାଧ୍ୟମରେ ଆମର ସାହିତ୍ୟକୁ ସମୃଦ୍ଧ କରିଛନ୍ତି । କେବଳ ହାସ୍ୟ ଓ ବ୍ୟଙ୍ଗ ନୁହେଁ, ସେ ଗମ୍ଭୀର ଓ କରୁଣ ରସଶିକ୍ତଗୁଡ଼ିଏ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରିଛନ୍ତି । ‘ସ୍ୱାଧୀନତା ଦିବସ’, ‘ପ୍ରତିଶୋଧ’, ପ୍ରାୟଶ୍ଚିତ’, ‘ଆଇନ’, ‘ଠାକୁର ପ୍ରତିଷ୍ଠା‘, ଓ ‘ମୂର୍ଖ’ ଆଦି ଗଳ୍ପ ସମାଜର ନିଖୁଣ ପ୍ରତିଛବି ଦେଖାଇଛି, ଏବଂ ‘ଗାନ୍ଧି ସ୍ମୃତିପାଣ୍ଠି’, ‘ମରୁ ନିର୍ଝର’ ଓ ‘ସ୍ୱାଧୀନତା’ ଆଦି ରଚନା କରୁଣ ରସର ଗଳ୍ପ । ତେବେ ହାସ୍ୟରସାତ୍ମକ ଗଳ୍ପହିଁ ତାଙ୍କର ଅପୂର୍ବ ସିଦ୍ଧି ଓ ପ୍ରତିଷ୍ଠା । ତାଙ୍କର ହାସ୍ୟଗଳ୍ପର ସଂକଳନ ମଧ୍ୟରେ ହେରେସା, ସାହିତ୍ୟ ଧୂପ, ସାହିତ୍ୟ ବେଉଷଣ, ସାହିତ୍ୟ ବଛାବଛି, ମଙ୍ଗଳବାରିଆ ସାହିତ୍ୟ ସଂସଦ, ହସକୁରା, ବୃହତ୍‌ ଭାଣ୍ଡ, ଅମୃତ ବେହିଆ, ଭୋଟ, ଗମାତ, ନିଦା ବେହେଲ, ନବଜିଆ, ଥଟଲିବାଜ, ବିଦୂଷକ, ମସ୍କରା, ଟାହୁଲିଆ, ଟାପୁରିଆ, ମଚୁକୁନ୍ଦିଆ, ଖିଲିଖିଲିଆ, ଓଡ଼ିଶାର ସ୍ପିନ୍‌ ବୋଲର ପ୍ରଭୃତି ସର୍ବଜନ ପ୍ରଶଂସିତ ହୋଇଛି । ଏଥି ସଂଗେ ତାଙ୍କର ଅନବଦ୍ୟ ରମ୍ୟରଚନା ‘ଫମ୍ପାଲୋଚନା’ ପୁସ୍ତକଟି ମଧ୍ୟ ବହୁଚର୍ଚ୍ଚିତ । ‘କଲିକତି ଚେଙ୍କ’ ନାଟକଟି ମଧ୍ୟ ଏକ ହାସ୍ୟ କଥାର ନାଟ୍ୟରୂପ । ସାରଳା ମହାଭାରତର ଛନ୍ଦରେ ‘ସାହି ମହାଭାରତ’ ତାଙ୍କର ଏକମାତ୍ର କାବ୍ୟକୃତି । ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କର ‘ଆଦର୍ଶ ହିନ୍ଦୁ ହୋଟେଲ’ ଓ ‘ମୁଜତବା ହୁସେନ’ଙ୍କର ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପର ଅନୁବାଦ ମଧ୍ୟ ଲୋକପ୍ରିୟ ହୋଇଛି । ‘ନିଲଠା କବି’ ‘ଅଜଗବି ଶିକାର’ ଓ ‘ନାଲୁର ଚନ୍ଦ୍ରଯାତ୍ରା’ ଯଥାକ୍ରମେ ତାଙ୍କର କବିତା ଓ ଶିଶୁ ସାହିତ୍ୟର କୃତି । ତାଙ୍କର ‘ନାକଟା ଚିତ୍ରକର’ ଶୀର୍ଷକ ଉପନ୍ୟାସଟି ବହୁଚର୍ଚ୍ଚିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ବରେଣ୍ୟ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଏବଂ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ । ଏହି ଉପନ୍ୟାସ ଲାଗି ସେ ପ୍ରକାଶକମାନଙ୍କର ପ୍ରତ୍ୟାଖ୍ୟାନ ଲାଭ କରିଥିଲେ । ୧୯୩୯ରେ ଆରମ୍ଭ ହୋଇଥିବା ଉପନ୍ୟାସଟି ୧୯୪୬ରେ ଶେଷ ହେଲା ଓ ୧୯୫୩ରେ ନିଜର ଇଜିମାଲି ଜମି ଖଣ୍ଡିଏ ବିକିରି ହେବାରୁ ଯେଉଁଟଙ୍କା ତାଙ୍କ ହାତରେ ପଡ଼ିଥିଲା, ସେହି ଅର୍ଥରେ ବହିଟି ପ୍ରକାଶିତ କରିଥିଲେ । ସେହି ଉପନ୍ୟାସଟିର ଶେଷ ଭାଗ ଲେଖିଲା ବେଳକୁ ତାଙ୍କର ଆଖି ଖରାପ ହୋଇଯାଇଥିଲା, ତେଣୁ ତାହାକୁ ଅନ୍ୟକୁ ଡାକି ଲେଖାଇଥିଲେ । ଏହି ଉପନ୍ୟାସ ପାଠକପାଠିକାଙ୍କର ଅକୁଣ୍ଠ ପ୍ରଶଂସା ଲାଭକରିଥିଲା, ଏପରିକି ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ଏହାକୁ ପ୍ରଶଂସାକରିଥିଲେ, ନାକଟା ଚିତ୍ରକର ‘ଉପନ୍ୟାସ’ ମଧ୍ୟରେ ସତିଆ ଓ ଭଗିଆ ଦୁଇଟି ପାର୍ଶ୍ୱନାୟକ ଅଛନ୍ତି । ଜଣେ କେମ୍ପା ଆର ଜଣକ କାଲା । ସେହି ସରଳ ଚରିତ୍ର ଦୁଇଟି ମଧ୍ୟରେ ତାଙ୍କର ହାସ୍ୟରସର ବୀଜ ଯେପରି ଛପିରହିଛି । ପୁଣି ରେଖାର ବିବାହ ସମୟରେ ଯେଉଁ ଝଡ଼ହେଲା, ତାହାର ବର୍ଣ୍ଣନା ମାଧ୍ୟମରେ ତାଙ୍କର ହାସ୍ୟରସ ପ୍ରତି ରହିଥିବା ପ୍ରବଣତା ବେଶ୍‌ ପ୍ରକାଶିତ ହୋଇପଡ଼ିଛି । ବର୍ଣ୍ଣନାତ୍ମକ ହାସ୍ୟରସର ନମୁନାହୋଇଛି ଦୁମୁକା ପବନରେ କିଳାଗୁଡ଼ାକ ଫସ୍‌ ଫାସ୍‌ ଉଠି ଯିବାରୁ ତମ୍ବୁ ଗୋଟାକଯାକ ବାଜାବାଲାଙ୍କୁ ମାଡ଼ି ବସିବାର ଦୃଶ୍ୟରେ । ‘ଗୋଟାଏ ପାଟି କରୁଥିବା ଲୋକର ମୁହଁରେ ପୁଳାଏ କନା ମାଡ଼ିଦେଲେ ସେ ଯେପରି ଗଁ ଗଁ ହୋଇ କିଛି ସମୟପରେ ବନ୍ଦ ହୋଇଯାଏ, ସେହିପରି ତମ୍ବୁ ମାଡ଼ିବସିବାରୁ ବାଜଗୁଡ଼ାକ ପେଁ ପଟ୍‌ ପଟ୍‌ ହୋଇ ତୁନି ହୋଇଗଲେ । ତା’ବଦଳରେ ସୁରଉଠିଲା ‘ତୋବା ତୋବା ମରଗୟା’ ‘ବଚାଅ ବଚାଅ’ । ବର୍ଷା ସମୟରେ ବା ଶୁଭୁଛି କୁଆଡ଼ୁ-ଆହୁରି ମଧ୍ୟ ଲୋକମାନେ ବର୍ଷା ଲାଗି ଘର ଭିତରେ ପଶିଥିଲେ । ହଠାତ୍‌ ବାଜା ଶବ୍ଦଟା ବନ୍ଦ ହେବାରୁ ଜଣେ ଅଧେ ଉଁକିମାରି ତମ୍ବୁ ଆଡ଼କୁ ଚାହିଁଲେ । ଦେଖିଲା ବେଳକୁ ତମ୍ବୁ ବି ଭୂଇଁରେ ଶୋଇ ପଡ଼ିଲାଣି । ମହନ ଭୋଗ ତିଆରି ହେଲାବେଳେ ଯେପରି ଭିତରର ବାମ୍ଫ ଫୋଟକା ଉପରର କଠିନ ଆବରଣକୁ ଜାଗାଏ ଜାଗାଏ ବର୍ତ୍ତୁଳାକାରରେ ଟେକି ଦେଉଥାଏ ଓ ପକେଇ ଦେଇଥାଏ, ସେହିପରି ପଡ଼ିଥିବା ତମ୍ବୁଟିର ବର୍ତ୍ତୁଳାକାର ଉତ୍‌ଥାନ ପତନ ହେଉଥାଏ । ସଙ୍ଗେ ସଙ୍ଗେ ଲୋକମାନେ ଜାଣିପାରିଲେ ଯେ ତମ୍ବୁଟି ଉପୁଡ଼ିଯାଇ ବାଜାବାଲାଙ୍କୁ ମାଡ଼ିବସିଛି, କିନ୍ତୁ ଏ ଝଡ଼ ତୋଫାନରେ ବାହାରୁଛି କିଏ ? ଲୋକମାନେ ପହିଲେ ଭାବିଲେ ଯେ, ବାଜାବାଲାମାନେ ଆପଣାଛାଏଁ ତମ୍ବୁ ଭିତରୁ ବାହାରି ଆସିବେ । ଆଉ ବି ତାଙ୍କର କଅଣ କ୍ଷତି ହୋଇଯାଉଛି ଯେ ସେଥିଲାଗି ଏତେ ତର ତର ।’ ବିଶିଷ୍ଟ ଭାଷାବିତ୍‌ ପ୍ରହ୍ଲାଦ ପ୍ରଧାନ କହିଥିଲେ, ‘ଭାଷାରେ ସରସତା, ରସିକତା, ସାବଲୀଳତା ଓ ବିଚାର ବହନ କରିବାର ଶକ୍ତି ଅଛି ।’

 

ତାଙ୍କର ଗଳ୍ପଗୁଡ଼ିକୁ ଦେଖିଲେ କଟକ ସହରଭିତ୍ତିକ କଥାବସ୍ତୁ ପ୍ରଥମେ ଆଖିରେ ପଡ଼େ । ସେ କହୁଥିଲେ, ‘ଯିଏ ବିଶ୍ୱ ପରିକ୍ରମା କରୁଛି କରୁ ।’ ମୋର କଟକ ଭଲ ତ ମୁଁ ଭଲ । କଟକ ମାଟିରେ ଘୁଷୁରି ଘୁଷୁରି ଯଦି ଅଧିକ କିଛି ଚିତ୍ର କାଢ଼ି ପରିବି, ମୋ ମନଟା ତୃପ୍ତ ହୋଇଯିବ । ଅଧ୍ୟାପକ ବିଦ୍ରୂପକରି ତୃପ୍ତ, ମୁଁ ବିଦ୍ରୂପ ଶୁଣି ବି ତୃପ୍ତ ।’ ତାଙ୍କର ପ୍ରଥମ ଗଳ୍ପ ପୁସ୍ତକ ‘ହେରେସା’ । ଜଣେ ଜମିଦାରକୁ ଚିକ୍କଣ କଥା କହି ସ୍କୁଲ ପାଇଁ ଜମି ଆଦାୟ କରିବାର ମନୋଜ୍ଞ ବର୍ଣ୍ଣନା ‘ଧୋବେଇ ଖଂଟ’ ଗଳ୍ପରେ ଅଛି । ଚାକିରୀ କ୍ଷେତ୍ରରେ ସୁପାରିଶ ଓ ପ୍ରିୟାପ୍ରୀତି ତୋଷଣର ବ୍ୟଙ୍ଗ ରହିଛି ‘ଭୁନ୍ଦୁ’ ଗଳ୍ପରେ । ଠକାଠକିର ଚିତ୍ରଣ ‘ଗୁଗୁରିପେଞ୍ଚ’, ଗଳ୍ପରେ, ନିଶାପର ଚିତ୍ର ‘କୋଦିଣ୍ଡା ନିଶାପ’ରେ ଫୁଟି ଉଠିଛି । ଏହିପରି ସମାଜର ବିଭିନ୍ନ ଅଙ୍ଗର ଅସଙ୍ଗତି ଓ ମାରପେଞ୍ଚ ତାଙ୍କର ବିଭିନ୍ନ ଗଳ୍ପରେ ରହିଛି । କୋଚଟ ଶୁଣ୍ଠା, କଲକତି ଚେଙ୍କ, ଗବଦଲ ଖାସୁ, କାଢୁମର୍ଦ୍ଦନ, ଚୁଙ୍ଗୁ ଚୁଙ୍ଗିଆ ବାଙ୍କା, ଅଦିନ ରଜ ଆଦି ଗଳ୍ପରେ ବିଭିନ୍ନ ସମାଜିକ ପ୍ରସଙ୍ଗକୁ ବ୍ୟଙ୍ଗରଞ୍ଜିତ କରି ପ୍ରକାଶ କରିଛନ୍ତି । ସାହି ଝଗଡ଼ା ଓ କାର୍ଯ୍ୟକଳାପକୁ ବିଷୟବସ୍ତୁ କରି ସେ ଗୋଡ଼ିଟିଏକୁ ପଥରଟାଏ, ଚୋଖା ଚାଖୁଣିଆ, ଟିହାଣ, ତେଢ଼ିଆ କପାଳ, ତିନିପଟିଆ, ଦଳ, ପଙ୍ଗପାଳ, ପିଲାଚୋର, ବାତୁଡ଼ି, ବ୍ରହ୍ମ ଅଭିଶାପ, ଭୈରବୀ ଡାକ, ଷଣ୍ଢ ଲଢ଼େଇ, ଆ-ମୂଳା’ ଆଦି ଗଳ୍ପ ରଚନା କରିଛନ୍ତି । ସାହିର ଉତ୍ସବ ନାମରେ ନାଚଗୀତ, ଦାଶକାଠିଆ ଆଦି ହୁଏ, ଚାନ୍ଦା ଆଦାୟ କରି ଭୋଜିଭାତ ହୁଏ, ତାହାର ବିବରଣ ‘ଗଣେଶ ପୂଜା’ ଗଳ୍ପରୁ ମିଳେ । ତିନିପଟିଆ ଦଳ ଗଳ୍ପରେ ସହର ବଜାରରେ ତାସ୍‌ ଖେଳି କିପରି ଠକମାନେ ଟଙ୍କା ଠକି ନିଅନ୍ତି ତାହାର ବର୍ଣ୍ଣନା ଅଛି । ପୋଲିସ ଆଗରେ ତାଙ୍କର ସ୍ୱୀକାରୋକ୍ତି ବେଳେ ମନ୍ତ୍ରୀମାନଙ୍କର ଜୁଆ ଖେଳ ବି ଉପଭୋଗ୍ୟ ହୋଇ ବର୍ଣ୍ଣିତ ହୋଇଛି ।

 

ପୁସ୍ତକ ଭିତ୍ତିରେ ଆଲୋଚନା କରିବସିଲେ ଏହି ପରିଚ୍ଛେଦଟି ଅତି ଦୀର୍ଘ ହୋଇଯିବା ଭୟରେ କେବଳ କେତେକ ସ୍ୱନିର୍ବାଚିତ ଗଳ୍ପର ଉଲ୍ଲେଖ କରିବି । ତାଙ୍କର ସବୁତକ ଗଳ୍ପ ପଢ଼ିଥିବା ବ୍ୟକ୍ତି ବହୁତ କମ୍‌ ଥିବେ, କାରଣ ତାଙ୍କର ସୃଷ୍ଟି ବିପୁଳ । ଏଠାରେ ସଂକ୍ଷିପ୍ତ ଭାବରେ କିଛି ଗଳ୍ପକୁ ନେଇ ତାଙ୍କର ହାସ୍ୟ-ପ୍ରତିଭାକୁ ବିଶେଷରୂପେ ପରିସ୍ଫୁଟ କରିବାକୁ ଚାହେଁ । ‘ହାତ ଦେଖାର କରାମତି’ ଏକ ସୁନ୍ଦର ଗଳ୍ପ । ଦୁଇଟି ବନ୍ଧୁ ପୋଲିସବାଲାଙ୍କ ସାହାଯ୍ୟରେ ଟ୍ରେନ୍‌ରେ ଜାଗା ଖାଲି କଲେ କିନ୍ତୁ ସେହି ଖାଲି ଜାଗାକୁ ପୁଲିସମାନେ ଅଧିକାର କରିନେଲେ । ଏଥର ଦୁଇବନ୍ଧୁ ଏକ ଉପାୟ ଅବଲମ୍ବନକଲେ । ଜଣେ ଆର ଜଣକର ହାତ ଦେଖି ଅତୀତ ଓ ଭବିଷ୍ୟତ କହିବାକୁ ଲାଗିଲା । ଏକଥା ଶୁଣି ପୋଲିସ ବାଲାଏ ସେମାନଙ୍କୁ ଜାଗାଛାଡ଼ିଦେଇ ନିଜ ନିଜର ହାତ ଦେଖାଇଲେ ଓ ସେମାନଙ୍କୁ ଜଳଖିଆ ବି ଖୁଆଇଲେ । ‘ଖେପା ଜାଲରେ କୁମ୍ଭୀର’ ଗଳ୍ପରେ ମଧ୍ୟ ସେ ପୋଲିସବାଲାଙ୍କୁ ବ୍ୟଙ୍ଗ କରିଛନ୍ତି । ବାଦୀ ଓ ପ୍ରତିବାଦୀ ଉଭୟ ପକ୍ଷରୁ ଉତ୍କୋଚ ଗ୍ରହଣ କରିବାର ବର୍ଣ୍ଣନାଟି ଉପଭୋଗ୍ୟ ହୋଇଛି । ସେହିପରି ଓକିଲମାନଙ୍କର ଶୋଷଣକୁ ମଧ୍ୟ ସେ ଏକ ବାସ୍ତବ ଚିତ୍ରଣ କରିଛନ୍ତି । ‘ଦି ପହରିଆ ଚଟିଘର’ର ଜଗୁଲି ଭାଷାରେ, ‘କେଡ଼େ ହୁସିଆରରେ କୁଞ୍ଚକାନୀରେ ଛ’ଟି ଟଙ୍କାବାନ୍ଧି ଖୋସିନଥିଲି ! ତା’ ନାକରେ ସେ ବାସନାଟା କେମିତି ବାଜିଗଲା କେଜାଣି, ମତେ ତଣ୍ଟିଆଟାଏ ଦେଇ କହିଲା ହଟବେ ହଟ୍‌, ଶଳା ମକଦ୍ଦମା କରି ଆସିଛୁ ନା ଛଟା ଗାଳିବାକୁ ଆସିଛୁ । ଶଳା ଆଣବେ ଟଙ୍କା, ଶଳା ଆକ୍‌ଟିଂ କରୁଛି । ଯାଆବେ ଶଳାଯା ଅନ୍ନପୂର୍ଣ୍ଣା ଥେଟରକୁ ଯା ଆକ୍‌ଟିଂକରିବୁ । ଅତି କିଟି କିଟିଆ ଶୋଧାଶୋଧି ଓ ଖୁବ୍‌ ବେଶି କଟାଳ କରିବାରୁ ବାଧ୍ୟହୋଇ କୁଞ୍ଚକାନି ଫିଟେଇ ଚାରିଟି ଟଙ୍କା ତା’ହାତକୁ ବଢ଼େଇ ଦେଲି ।’ ସରକାରୀ କର୍ମଚାରୀଙ୍କର ଦୁର୍ନୀତିର ଛବି ‘ସସ୍‌ପେନ୍‌ସନ୍‌ ଠାକୁର’ ଗଳ୍ପରେ ମିଳିବ-‘ଏ ଯୁଗରେ ପୁଣି ସରକାରଙ୍କ ଗୋଟାଏ ଦପ୍ତରରେ ପଇସାଟିଏ ଉପୁରି ନାହିଁ ! ଯିଏ ଶୁଣିବ କାନରେ ହାତ ଦେବ । କଥାଟାକୁ ଅପସନ୍ଦ କରି ଉଠେଇ ଦେଇ କହିବେ-ହେ ! ଗଉଡ଼ ଦୁଧରେ ପାଣି ନଥାଇପାରେ, କିନ୍ତୁ ସରକାରଙ୍କର ଗୋଟାଏ ଦପ୍ତରରେ ଉପୁରି ନଥିବା କଞ୍ଚାଗାଲୁ ଛଡ଼ା ଅନ୍ୟ କିଛି ହୋଇନପାରେ ।’ ସେହିପରି ଭଣ୍ଡ ବାବାଜୀଙ୍କୁ ପଦାରେ ପକାଇଛି ‘ଖେଚରି ବାବା’ । ଶିକ୍ଷା ଜଗତକୁ ମଧ୍ୟ ସେ ତୀବ୍ର ବ୍ୟଙ୍ଗ କରିଛନ୍ତି । ବର୍ତ୍ତମାନ ଶିକ୍ଷାନୁଷ୍ଠାନ ବାହାନାରେ କିପରି ଅର୍ଥର ତୋଷରପାତ ହୁଏ ଏବଂ ଶିକ୍ଷାର ମାନ କିପରି ନିମ୍ନଗାମୀ ହୁଏ ତାହା ‘ଇନ୍ଦୁର ବାହନ କଲେଜ’ରେ ଅଙ୍କିତ ହୋଇଛି । ‘କପିବାଜଙ୍କ ଜୁଆର ଭଟ୍ଟା ଗଳ୍ପରେ ‘କପି କରିବା ଆମର ଏକ ମୌଳିକ ଅଧିକାର’ ବୋଲି ଛାତ୍ରଙ୍କ ମୁଖରେ ସେ କହିଛନ୍ତି । ‘ଆମର ଦାବି-କପିକରିବୁ’, ‘କପି ଦେବି ଜିନ୍ଦାବାଦ’ ଆଦି ସ୍ଳୋଗାନ ଜରିଆରେ ‘କପିଖୋର୍‌’ ଛାତ୍ରମାନଙ୍କର ମନୋଭାବ ଫୁଟି ଉଠିଛି । ଅନ୍ୟ ପକ୍ଷରେ ବେପାରୀ ଦୃଷ୍ଟିରୁ ଚାନ୍ଦା ଆଦାୟକାରୀଙ୍କର ରୂପାୟନ ଏହିପରି ‘ଆରେ ଏ ଚାନ୍ଦା ଓ ଜୋର ଜବରାନିର ଯୁଗହେଲା ।’ ଏ ଜୁଲମକୁ ସହିପାରିବ ତ ବେପାର କରିବ ନହେଲେ ଦୋକାନ ଭାଙ୍ଗି ଗାଁକୁ ପଳେଇବ । ଏ ଚାନ୍ଦାଟା ବ୍ୟବସାୟୀଙ୍କ ଉପରେ ଏକ ଜିଜିଆକର । ସାହିବାଲାଙ୍କ ଏ ଦୌରାତ୍ମ୍ୟରୁ ତୁମକୁ କି ପୁଲିସ କି ମିଲିଟାରୀ କେହି ରକ୍ଷା କରିପାରିବନି । ଚାନ୍ଦା ଉପରେ ସ୍ୱୟଂ ସରକାର ପ୍ରତିଷ୍ଠିତ । ତେଣୁ ତୈମୁରଲଙ୍ଗୀ ଅତ୍ୟାଚାରରୁ ଆଉ ରଖିବ କିଏ ? ସେହିଭଳି ଡାକ୍ତରମାନଙ୍କୁ ମଧ୍ୟ ପାନେ ଦେଇଛନ୍ତି ତାଙ୍କର ‘ଘରୋଇ ଚିକିତ୍ସା ନିଷେଧ’ ଗଳ୍ପରେ । ଡାକ୍ତରମାନଙ୍କ ଭାଷାରେ ‘ସରକାରଙ୍କର ଏ ବ୍ୟବସ୍ଥାର ମୁକାବିଲା କରିବାକୁ ହେବ । ଆମେ ଆମର ଘରୋଇ କ୍ଳିନିକ୍‌ଗୁଡ଼ିକୁ ଅନ୍ୟଲୋକଙ୍କ ନାଆଁରେ ରଖିବା, ଟଙ୍କା ପଇସା ବି ନିଜ ହାତରେ ନନେଇ ଜଣେ ତୃତୀୟ ବ୍ୟକ୍ତି ମାଧ୍ୟମରେ ନେବା, ବ୍ୟବସ୍ଥାପତ୍ର ଅନ୍ୟଜଣେ ଘରୋଇ ଡାକ୍ତର ହାତରେ ଲେଖେଇବା, ତେଣିକି କିଏ କେମିତି ପ୍ରମାଣ କରିବ ଯେ ଆମେ ଘରୋଇ ଚିକିତ୍ସା କରୁଛୁ ? ଆଡକୁ ଆମର ଘରୋଇ ଚିକିତ୍ସା ପୂର୍ବପରି ବଜାୟ ରହିବ । ତା’ ଉପରେ ଓଲଟି ଭାତିଆ ମିଳିବ । ଭୋଜନ ସାଙ୍ଗକୁ ଦକ୍ଷିଣା ! ଆଉ ଚିନ୍ତା କଅଣ ? ସରକାର ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ ।’ ‘ପୁଣି ବେହେରା ହାତରେ ସାଙ୍ଗ ବତିଶିଟା ଟଙ୍କା ଗୁଞ୍ଜି ଦେବା ପରେ ସେ ଡାକ୍ତରଙ୍କ କୋଠରୀକୁ ପଶିଗଲା ଓ କିଛି ସମୟପରେ ବାହାରି ଆସିଲା । ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଗୋଟାଏ ସିଟ୍‌ ପ୍ରସବ କରି ପକାଇଲା ।

 

ରାଜନୀତି ନେଇ ବ୍ୟଙ୍ଗ ଫତୁରାନନ୍ଦଙ୍କର ଏକ ସଶକ୍ତ ପଦକ୍ଷେପ । ସେ ମୂଳତଃ ଆଦର୍ଶବାଦୀ, ଜାତୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇଥିବାରୁ ଚାରିଆଡ଼େ ଭୋଟ ରାଜନୀତିର ଅବକ୍ଷୟକାରୀ ପ୍ରବଣତା ଓ ପେଶୀ ପ୍ରଦର୍ଶନର ଦୃଶ୍ୟରେ ବିଚଳିତ ହୋଇଛନ୍ତି । ଆଦର୍ଶବାଦ ଓ ଜାତୀୟତାବୋଧ ତଥା ସାମୂହିକ ଜନକଲ୍ୟାଣ ଆଦି କେବଳ ମୁହଁର କଥା ହୋଇ ରହିଗଲାଣି । ‘ଲୋକେ ଏମିତିଆ ଗିଳା ପଡ଼ିଲେଣି ଯେ ତାହା ବାସୁକୀ ବି ସହିପାରିବ ନାହିଁ । ମୁହଁକୁ ପଜେଇ ବସି ରହିଛନ୍ତି କଥା ପଦ ପଦକେ ଆଣେ ମଦ, ଆଣେ କୁକୁଡ଼ା, ଆଣେ ଟଙ୍କା, ଆଣେ ଲୁଗା, ଆଣେ ଶାଢ଼ୀ, ସବୁ ଖାଲି ଆଣେ । ପାଷଣ୍ଡଗୁଡ଼ାକ ସର୍ବଗିଳା ପାଲଟି ଗଲେଣି । ଦେବା ଭିତରେ ଖଣ୍ଡିଏ ଟିକି କାଗଜ, ଆଉ ଯଦି ରିମେ ଦି’ରିମ୍‌ କାଗଜ ଦେବାକୁ ପଡ଼ୁଥାନ୍ତା, ତେବେ ତ କହନ୍ତେ-ତୋ ଯାନାସନ, ସମ୍ପତ୍ତିବାଡ଼ି, ଘରଦ୍ୱାରା ସବୁ କିଛି ଦେ, ଆଉ ଲେଙ୍ଗୁଟି ମାରି ଯା ପଳା ଏକାମ୍ର ବଣକୁ ।’ ‘ଦୈବ ଫଳ ବଣ୍ଟେଇ’ ଗଳ୍ପରେ ପ୍ରାର୍ଥୀମାନଙ୍କର ନିର୍ବାଚନ କୌଶଳକୁ କଟାକ୍ଷ କରି ସେ କହିଛନ୍ତି-‘ଭୋଟ ଦେବାର ଠିକ୍‌ ପୂର୍ବଦିନ ରାତି ବାରଟା ପରେ ତୁମେ ଜିପ୍‌ରେ ପ୍ରତି ଗାଆଁର ମୁଖିଆମାନଙ୍କ ଘରକୁ ଯିବ ? ପ୍ରତ୍ୟେକଙ୍କ ହାତରେ ହଜାରେ ଲେଖାଏଁ ଧରେଇ ଦେଇ କହିବ-ଏଇଟା ଭେଡ଼ି ଅଡ଼େଇ ଖର୍ଚ୍ଚ । ଆଉ ଗୁଣ୍ଡା ଲଫଙ୍ଗା ଲଙ୍ଗଳ କଟୁରିଆ ଯେତେ ଅଛନ୍ତି ସମସ୍ତଙ୍କ ହାତରେ କୋଡ଼ିଏ ଲେଖାଏଁ ଗୁଞ୍ଜି ଦେଇ କହିବ-ଏଇଟା ସାମାନ୍ୟ ପାନଖିଆ ।’

 

ଅଶିକ୍ଷିତ ଗ୍ରାମବାସୀ ଜନସାଧାରଣ ଗୁଣିଗାରେଡ଼ି ଏବଂ ବାବାମାନଙ୍କଠାରେ ଅଖଣ୍ଡ ବିଶ୍ୱାସ ସ୍ଥାପନ କରିଥାନ୍ତି ଏବଂ ସେମାନଙ୍କର ସରଳ ବିଶ୍ୱାସର ସୁଯୋଗ ନେବାର ଭଣ୍ଡ ସନ୍ନ୍ୟାସୀ ମଧ୍ୟ ବହୁତ ଦେଖାଯାନ୍ତି । ଫକୀରମୋହନ ନିଜର ‘ଧୂଳିଆ ବାବା’ ଗଳ୍ପରେ ସେମାନଙ୍କର ଅସଲ ସ୍ୱରୂପ ଦେଖାଇଛନ୍ତି । ସେହିପରି ଫତୁରାନନ୍ଦ ମଧ୍ୟ ତାଙ୍କର ‘ଖେଚରି ବାବା’ ଗଳ୍ପରେ ସେହି ସାମାଜିକ ପ୍ରବଣତା ପ୍ରତି ଆକ୍ଷେପ କରିଛନ୍ତି, ଆଧୁନିକ କାଳର ବୁଦ୍ଧିଜୀବୀ ବୋଲାଉଥିବା ଲୋକଙ୍କ ମଧ୍ୟରେ ବି ଏକ ଠକେଇ ମନୋବୃତ୍ତି ଦେଖାଗଲାଣି । ଫତୁରାନନ୍ଦଙ୍କର ‘ଇନ୍ଦୁର ବାହନ କଲେଜ’ରେ ଶିକ୍ଷାନୁଷ୍ଠାନ କରିବା ଆଳରେ କିପରି ଅର୍ଥର ତୋଷରପାତ ଚାଲେ ତାହାର ଏକ ଚିତ୍ର ଦେଖାଇଛନ୍ତି । କଲେଜ ନାମରେ ଅର୍ଥ ସଂଗ୍ରହ କରି ଆତ୍ମସାତ କରିବା ହିଁ ଉଦ୍ୟୋକ୍ତାମାନଙ୍କର ଅସଲ ଲକ୍ଷ୍ୟ । ଶିକ୍ଷା ବିଷୟରେ ଅନଭିଜ୍ଞ ବ୍ୟକ୍ତିମାନେ କଲେଜମାନ ପ୍ରତିଷ୍ଠାକରି ସେହି ଆଳରେ ଜନସାଧାରଣଙ୍କୁ ଶୋଷଣ କରିବା, ଛାତ୍ରଛାତ୍ରୀଙ୍କଠାରୁ ବିଭିନ୍ନ ବାଟରେ ବିନା ରସିଦରେ ଟଙ୍କା ଆଦାୟ, ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇଦେବା ଲାଗି ଟଙ୍କା ଆଦାୟ କରି ତାହାକୁ ଘରୋଇ ମହାଜନୀ ବ୍ୟବସାୟରେ ଲଗାଇବା କଥାକୁ ସେ ବର୍ଣ୍ଣନା କରିଛନ୍ତି । ସେହିପରି ଓଡ଼ିଶାର ବିଭିନ୍ନ ପୂଜାପାର୍ବଣର ଆଳରେ ଚାନ୍ଦା ଆଦାୟ ନାମରେ ବେପାରୀ, ସାହିବସ୍ତିର ଲୋକଙ୍କୁ ଶୋଷଣ କରାଯାଉଥିବାର ଚିତ୍ର ମିଳେ ‘ଚାନ୍ଦା ଚଣ୍ଡ ଓ ପୂଜା ଟିକସ’ ଗଳ୍ପରୁ । ସେହିପରି ସାମ୍ପ୍ରତିକ ସାମ୍ବାଦିକମାନଙ୍କର ଅଧୋଗତି ଦେଖାଇବାକୁ ସେ ‘ଅଙ୍ଗାର ସାମ୍ବାଦିକ’ ଗଳ୍ପରେ ତାଙ୍କ ମୁଖରେ କୁହାଇଛନ୍ତି, ‘ହେଃ, ରାଣ୍ଡ ଭୋଜନ ଆମକୁ ଖାଇ ଆସେନି । ସେଠି ସ୍କଚ୍‌ ନାହିଁ ଚିକେନ ରୋଷ୍ଟ୍‌ନାହିଁ । ସେଠିକି ଯିବାକୁ ଆମକୁ ଡାକେନି ।’

 

ସାମ୍ପ୍ରତିକ ସାହିତ୍ୟ ଜଗତର ଫମ୍ପା ଆବାଜ, ଅନ୍ତଃସାରଶୂନ୍ୟ ତତ୍ତ୍ୱକଥା ଓ ହଠାତ୍‌ ବିଖ୍ୟାତ ହେବାର ମୋହ କିପରି ଭାବରେ ସଂପୂର୍ଣ୍ଣ ବାତାବରଣକୁ ଦୂଷିତ କରିରଖିଛି ତାହା ତାଙ୍କର ସାହିତ୍ୟିକ ବ୍ୟଙ୍ଗରଚନାମାନଙ୍କରେ ବେଶ୍‌ ଭଲ ଭାବରେ ଦେଖିବାକୁ ମିଳେ । ସେଥିରେ ମଧ୍ୟ ମିଶିଛି ଗୋଷ୍ଠୀବାଦ । ଫତୁରାନନ୍ଦଙ୍କ ଭାଷାରେ ‘ଏକୁଟିଆ ସାହିତ୍ୟ କରିବାର ଯୁଗ କେଉଁ ଦିନଠୁଁ ବୋଧହୁଏ ଗଲାଣି । ଜଣେ ଘର ଭିତରେ ବସି ଦିନ ରାତି ବହିରାମ୍ପି ଲାଗିଲେ ସାହିତ୍ୟ ଟେକି ହୋଇ ଯିବନି । ଯାହା ବି କୁନ୍ଥାକୁନ୍ଥିହୋଇ ଖଣ୍ଡେ ଦି’ଖଣ୍ଡ ବିହିଚୁଳ ଗାଲ୍‌ହୋଇ ବାହାରିପଡ଼େ, ତାହା ଅଲଣା ସାହିତ୍ୟ ହୋଇଯିବାର ଆଶଙ୍କା ଅଛି । ‘ଅଲଣା ସାହିତ୍ୟ’ ବୋଲିଲେ ଅଲଣା ତରକାରିଟା ପାଟିକୁ ନେଲେ ଯେମିତି ଲାଗେ, ମନକୁ ସେମିତି ଲାଗିବ ।’ ତାହାପରେ ତାଙ୍କର ବ୍ୟଙ୍ଗର ଶରବ୍ୟ ହୋଇଛି ବ୍ୟକ୍ତିବାଦ, ଲେଖାକୁ ବିଚାର ନକରି ଲେଖକଙ୍କୁ ପ୍ରାଧାନ୍ୟ ଦେବାର ମନୋବୃତ୍ତି । ପତ୍ର ପତ୍ରିକା ପାଇଁ କିପରି ବିଜ୍ଞାପନ ସଂଗ୍ରହ ଲାଗି ବ୍ୟସ୍ତତା ବଢ଼େ, ତାହା ‘ବିଜ୍ଞାପନ ଦୋହନ’ ଗଳ୍ପରେ ଦେଖିବାକୁ ମିଳେ । ସେ ସମାଲୋଚକମାନଙ୍କୁ ମଧ୍ୟ ତୀବ୍ରରୂପେ ବ୍ୟଙ୍ଗ କରିଛନ୍ତି । ତାଙ୍କର ପ୍ରକାରଭେଦ ମଧ୍ୟରେ ଟାଉଟରିଆ ସମାଲୋଚକ, ଓକିଲ ସମାଲୋଚକ, ଆଗଚଲା ସମାଲୋଚକ ଓ ଖୁଣ୍ଟିନାଟ୍ୟା ଲୋଚକ ।’ ଆଧୁନିକ କବିତା ସଙ୍ଗେ ସଙ୍ଗେ ରୀତିଯୁଗର ଭଞ୍ଜୀୟ ଶୈଳୀକୁ ମଧ୍ୟ ସେ ବ୍ୟଙ୍ଗ କରିଛନ୍ତି । ‘ଦୁଇ ମୁତୁରା କବି’ ଗଳ୍ପରେ ସେ ଲେଖିଛନ୍ତି :

‘ଗାଦୁଡ଼ୁ ଗାଦୁଡ଼ୁ ମାଡ଼ୁ

ବାଗୁଡ଼ୁ ବାଗୁଡ଼ୁ ଭାଡ଼ୁ

ସାପୁଡ଼ୁ ସାପୁଡ଼ୁ ତାଡ଼ୁ

ହାପୁଡ଼ୁ ହାଡ଼ୁ.... ।’

 

ସେହିପରି ସେ ଆଧୁନିକ କାବ୍ୟ ଯୁଗର ପ୍ରତିଷ୍ଠା ଓ ‘ଭାଲୁ କବି’ ଗଳ୍ପରେ ଆଧୁନିକ କବିମାନଙ୍କର ଦୁର୍ବୋଧ୍ୟତା ଉପରେ ତୀବ୍ର ଆକ୍ଷେପ କରିଛନ୍ତି :

‘ସ୍ଫୁଟ୍‌ନିକ୍‌ ପେଟେ

ଦୁଇ ବିଶା ସାରୁ ଆଉ ଗୋଟାଏ କଖାରୁ

ଭୂମିକମ୍ପ, କଂପଇ ଇଗଇ

ଓଡ଼ିଶାର ପ୍ରାଦୁର୍ଭାବ ଆଉ ମଶକ ଦଂଶନ

ଇଲୋ ବୋପାରେ ହେଇ ଆସେ ଭାଲୁ

ଜିଆର ଶରୀର ଶହେ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପ

ମଣିଷାୟିତ ରାଜପଥେ ନାହିଁ ବେଦନା ନାହିଁ ଅଶ୍ରୁ ।’

ଉଭୟ କବିତାର ଅଦ୍ଭୂତପୂର୍ବ ସରଳାର୍ଥ ଓ ବ୍ୟାଖ୍ୟା ମଧ୍ୟ ବେଶ୍‌ ଉପଭୋଗ୍ୟ । ନିଜର ସୀମିତ ଅଭିଜ୍ଞତାର ଦୃଷ୍ଟିକୋଣରୁ କୌଣସି ସାହିତ୍ୟିକର ମୂଲ୍ୟାୟନ କିପରି ହାସ୍ୟୋଦ୍ଦୀପକ ହୁଏ, ତାହା ‘ମେଡିକଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଭଲ ଭାବେ ଦେଖାଯାଏ । ଡାକ୍ତରମାନଙ୍କ ଭାଷଣ ମଧ୍ୟରେ କିପରି ଖାଦ୍ୟସାର, ଭିଟାମିନ୍‌ ଔଷଧ ଆଦି ସମ୍ପର୍କରେ ହିଁ ଅଧିକ ଚର୍ଚ୍ଚା ଓ ମେହେରଙ୍କ କାବ୍ୟ କବିତା ବିଷୟରେ ଅତିକମ୍‌, ତାହାର ହାସ୍ୟକର ଚିତ୍ର ରହିଛି ।

 

ଫତୁରାନନ୍ଦ ନିଜର ଗଳ୍ପର, ଚରିତ୍ରମାନଙ୍କର ଓ ପୁସ୍ତକମାନଙ୍କର ହାସ୍ୟୋଦ୍ଦୀପକ ନାମକରଣ କରିଛନ୍ତି । ସେହିପରି ସାହିତ୍ୟିକ ଗୋଷ୍ଠୀମାନଙ୍କର ମଧ୍ୟ ନାମକରଣ କରିଛନ୍ତି : ପର୍ବତ ସାହିତ୍ୟ ସଂସଦ, ଗଡ଼ିଆ ସାହିତ୍ୟ ସଂସଦ, ମରୁଭୂମି ସାହିତ୍ୟ ସଂସଦ, ଇନ୍ଦ୍ରଧନୁ, ବିଜୁଳି, ତୋଫାନ, ଘଡ଼ଘଡ଼ି, ବର୍ଷା, ଖରା ସାହିତ୍ୟ ସଂସଦ । ଦିନେ ଇନ୍ଦ୍ରଧନୁ ଓ ବିଜୁଳି ନାମକ ପତ୍ରିକାଦ୍ୱୟ ପୁରାତନ ଓ ଆଧୁନିକ ସାହିତ୍ୟର ବିବାଦରେ ସକ୍ରିୟ ଅଂଶ ଗ୍ରହଣ କରିଥିବା କଥା ବୋଧହୁଏ ଆଜିକାଲିକାର ପାଠକ ପାଶୋରି ଯାଇଥିବେ । ସାହିତ୍ୟ ଜଗତରେ ଏହି ପ୍ରକାରର ବିବାଦ ଫତୁରାନନ୍ଦଙ୍କର ବହୁ ରଚନାର ବିଷୟବସ୍ତୁ ହୋଇଛି । ପୁଣି ସେ କବିମାନଙ୍କୁ ନାମ ଦେଇ ମଧ୍ୟ ହାସ୍ୟ ସୃଷ୍ଟି କରିଛନ୍ତି । ସେହିପରି ବହିପତ୍ରର ନାମକୁ ନେଇ ସେ ବ୍ୟଙ୍ଗର ବିଷୟବସ୍ତୁ କରିଛନ୍ତି । କୋଚିଆ ପୁରାଣ, ବଙ୍ଗୋପସାଗରରେ ତମ୍ବୁ, ହିମାଳୟରେ ହଡ଼କମ୍ପ, ପେଚକ ମରେ ଲାଜେ ଓ ଚୁଚୁନ୍ଦ୍ରାର ହାର୍ଟଫେଲ ଏହାର ଉଦାହରଣ । ଗଳ୍ପର ଶୀର୍ଷକ ମଧ୍ୟ ଫତୁରାନନ୍ଦଙ୍କ ରଚନାରେ ଆମୋଦର ଉତ୍ସ ହୋଇଛି । ଗୁଗୁରି ପେଞ୍ଚ, ଗବଦଲ ଖାସୁ, ଚୋପାଛଡ଼ା ଆଟମ୍‌, ଚୁଙ୍ଗୁ ଚୁଙ୍ଗିଆ ବାଙ୍କା, ହେଙ୍କଡ଼ ଧୃମ, ଓଲଟ କିଳା ଆଦି ଏହାର ଉଦାହରଣ । ନିଜର ପୁସ୍ତକର ନାମ ମଧ୍ୟ ହାସ୍ୟୋଦ୍ରେକକାରୀ ଯଥା :- ନିଦା ବେହେଲ, ବୃହତ ଭାଣ୍ଡ, ଅମୃତ ବେହିଆ ଇତ୍ୟାଦି । ସାହିତ୍ୟର ପରିବେଶୀ ଭିତରେ ଯେଉଁ ସଭାସମିତି ତା କର୍ଯ୍ୟକଳାପର ବର୍ଣ୍ଣନା ସେ କରିଛନ୍ତି ତହିଁରେ ସାହିତ୍ୟିକମାନଙ୍କର ରୂପାୟନ ସଙ୍ଗେ ସଙ୍ଗେ ସାହିତ୍ୟର ସାମୂହିକ ଉନ୍ନତି ଲାଗି କେତେକ ଇଙ୍ଗିତ ମଧ୍ୟ ରହିଛି । ସାହିତ୍ୟ ଜଗତର କଳିକଜିଆ, ପୁରସ୍କାର ଆଦି ଲାଗି ପ୍ରତିଯୋଗିତା ଓ ସାହିତ୍ୟିକମାନଙ୍କର ହାମବଡ଼ାମିକୁ ଦୂରରୁ ଏକ ନୈବ୍ୟକ୍ତିକ ଦୃଷ୍ଟିକୋଣରୁ ଦେଖିପାରିଲେ ସେଠାରେ ହାସ୍ୟରସର ଖୋରାକ ପ୍ରଚୁର ଭାବେ ମିଳିପାରିବ । ଫତୁରାନନ୍ଦଙ୍କର ବ୍ୟଙ୍ଗ ମାଧ୍ୟମରେ କେତେକ ସତ୍ୟ ଓ ଅର୍ଦ୍ଧସତ୍ୟ ଫୁଟିଉଠିଛି ଯାହାକି ଖାଲି ହସରେ ଉଡ଼ାଇ ନଦେଇ ବିଚାର କରିବାର ଯୋଗ୍ୟ । ସେ ‘ସାହିତ୍ୟ ଚାଷ’ ରେ ଲେଖିଛନ୍ତି :

 

‘ଦେଖ ହୋ । କି କଦର୍ଯ୍ୟ କଥା, ଗୋଟାଏ ଯୁଗ ସରିବାକୁ ବସିଲା ସେହି ଭଞ୍ଜ, କବିସୂର୍ଯ୍ୟ, ରାଧାନାଥ କବି ଆସନକୁ ମାଡ଼ିବସିଥିବେ ! କେବେଠୁ ମଲେଣି, ତେବେବି ସେମାନଙ୍କର ଭୂତ ଆସନ ଛାଡ଼ୁନାହିଁ । କି ଲଜ୍ଜାର କଥା ! ବାହାର ଲୋକେ କାହିଁକି ବା ନ କହିବେ ଯେ ଓଡ଼ିଶାର ଆଉ କବି ଜନ୍ମ ହେଉ ନାହାନ୍ତି ? ନା, ନା ଏ ଭଞ୍ଜ, କବିସୂର୍ଯ୍ୟ, ରାଧାନାଥଙ୍କୁ ଜବରଦସ୍ତ ତଡ଼ିବା । ଓଡ଼ିଆଙ୍କ ମୁଣ୍ଡରେ ସେମାନଙ୍କର ଯେଉଁ ଭୂତ ସବାର ହୋଇଛି, ତାକୁ ଉଡ଼ାଇ ଦେବା, ତାହା ହେଲେ ନୂତନ ଯୁଗର ପ୍ରତିଷ୍ଠା ସୁରୁଖୁରୁରେ ହୋଇଯିବ ।’ ସ୍ୱାଭାବିକ ରୂପେ ହାସ୍ୟବ୍ୟଙ୍ଗର ଅତିରଞ୍ଜନକୁ ବାଦ୍‌ଦେଲେ ବି ପ୍ରାୟ ଅର୍ଦ୍ଦଶତାବ୍ଦୀ ଧରି କେବଳ ଭଞ୍ଜ ଆଦିଙ୍କର ଆଲୋଚନାମାନ ଓଡ଼ିଆ ସମାଲୋଚନା, ପ୍ରବନ୍ଧ ଆଦିରେ ଦେଖିବାକୁ ମିଳିଥିଲା । ଏହାର ଅନେକ କାରଣ ମଧ୍ୟରୁ ଆଧୁନିକ କବିମାନଙ୍କ ରଚନାକୁ ଗମ୍ଭୀର ରୂପେ ଗ୍ରହଣ କରି ତାହା ଉପରେ ଗବେଷଣା ଆଦିର ଅଭାବ ମଧ୍ୟ ଏକ ଉଲ୍ଲେଖଯୋଗ୍ୟ କାରଣ । ‘ଆଧୁନିକ କବିତା’ର ସଂଜ୍ଞା ମଧ୍ୟ ପାଠ୍ୟକ୍ରମ ମଧ୍ୟରେ ସେହିଭଳି ସୀମିତ ରହିଯାଇଛି । ସେ କବିତା ବିଷୟରେ ଯାହା କହିଛନ୍ତି, ଗଦ୍ୟ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳେ । ଅନ୍ୟାନ୍ୟ ପ୍ରତିବେଶୀ ସାହିତ୍ୟ ମଧ୍ୟରେ ଅନେକ ବେଶି ଅଗ୍ରଗତି ପରିଲକ୍ଷିତ ହୁଏ । ସେହିଭଳି ସାହିତ୍ୟରେ ଚୋରୀ ମଧ୍ୟ ଫତୁରାନନ୍ଦଙ୍କର କଟାକ୍ଷ ଆକର୍ଷଣ କରିଛି । ‘କେତେକ ଚୋର ଥଟାରି ଯେମିତି ପର କଂସା, ଢାଳକୁ କୁନ୍ଦି ନୂଆ ଭଳିଆ କରି ଦେଇ ବଜାରରେ ବିକ୍ରି କରନ୍ତି, ଏ କବିମାନେ ଠିକ୍‌ ସେହିପରି ଅନ୍ୟର କବିତାକୁ ଟିକିଏ ଓଲମ ବିଲମ କରିଦେଇ ନିଜ ନାଆଁରେ ସାହିତ୍ୟ ବଜାରରେ ବିକ୍ରି କରନ୍ତି ।’ ସେ ଲେଖିଛନ୍ତି । ‘ସମସାମୟିକ ଓଡ଼ିଆ ସାହିତ୍ୟର ପରିବେଶ କିପରି ଭାବରେ ଆଦର୍ଶଚ୍ୟୁତ ଓ ଖ୍ୟାତିଲାଗି ଲାଳାୟିତ ହୋଇଛି, ସେସବୁ ଫତୁରାନନ୍ଦ ପଦାରେ ପକାଇଛନ୍ତି । ଅନେକ ସମୟରେ କେତେକ ଲବ୍ଧପ୍ରତିଷ୍ଠ କବି ଓ ଲେଖକଙ୍କର ନାମ ମଧ୍ୟ ସେ ବ୍ୟବହାର କରିଛନ୍ତି । ସେ ଓଡ଼ିଶାର ସାହିତ୍ୟରଥୀମାନଙ୍କର ପରସ୍ପର ପ୍ରତି ଅସୂୟା ଓ ଅସହିଷ୍ଣୁତାକୁ ତାଙ୍କର ‘ଗୋଛିକଟା’ ଶୀର୍ଷକ ଗଳ୍ପରେ ପ୍ରକାଶ କରିଛନ୍ତି । ‘ଜାହାପନା ! ଦେବାନି ଖାସ ପୁରସ୍କାର ପାଇଁ କାମୁଡ଼ାକାମୁଡ଼ି ଲାଗିଛି । ସବୁ ଭାଷାର ପଣ୍ଡିତମାନେ ଏ ପୁରସ୍କାର ପାଇଁ ଆପଣା ଆପଣା ଲୋକର ତାଲିକା ଦେଇ ଏଠି ଆସି ବସିଗଲେଣି । କିନ୍ତୁ ଓଡ଼ିଆ ପଣ୍ଡିତମାନଙ୍କର ମଜା ଦେଖେ କିଏ ? କାହାକୁ ବି ସେମାନେ ବାଛି ପାରୁନାହାନ୍ତି । କଦବା ଯଦି କିଏ ଜଣେ କାହାକୁ ବାଛି ଦଉଛି, ତେବେ ଆଉ ଦି’ ଜଣ ବାହାରିପଡ଼ି କହୁଛନ୍ତି-‘ଆରେ ହେ, ସେଇଟା ଗୋଟାଏ ଦେବାନି ଖାସ୍‌ ପୁରସ୍କାର ପାଇବା ଲୋକନା ! ପୁରସ୍କାରର ଇଜ୍ଜତ ମହତ ଯିବ, ଦବତ ମୋତେ ଦିଅ । ସାହିତ୍ୟକୁ ମୁଁ ଯେମିତିଆ ଦାନ ଦେଇଛି, କେହିବି ସେମିତି ଦେଇ ନାହାନ୍ତି, ଦେଉ ନାହାନ୍ତି କି ଦେବେ ନାହିଁ ।’ ସେ ଏମିତି କହିଲା ବେଳକୁ ଆଉ ଜଣେ ବାହାରି ପଡ଼ି ହାଙ୍କି ଦେଉଛି-‘ଆରେ ରଖ ରଖ, ଜୀବନ ଭରି ଚୋରିକରି ଦିନଗଲା, ତମର ପୁଣି ଦେବାନି ଖାସ ପୁରସ୍କାର ପାଇବାକୁ ସାହସ, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଉଛୁ ! ଆରେ ମୋ ଭଳି ମୌଳିକ ଲେଖା କିଛି ପୈଦା କରିଛ !’ ସାହିତ୍ୟିକମାନଙ୍କର ଗୋଷ୍ଠୀବାଦ, କୂଟନୀତି, ଅନ୍ୟମାନଙ୍କୁ ଦବାଇରଖି ନିଜେ ଉଠିବାର ପ୍ରବଣତାକୁ ସେ ଅକପଟେ ପ୍ରକାଶ କରିଛନ୍ତି । ଏହାର ଫଳଶ୍ରୁତି କିଛି ହୋଇନାହିଁ । ଅଦ୍ୟାପି ସେହି ସାହିତ୍ୟିକ ଚୋରୀ, ସେହି ଗୋଷ୍ଠୀବାଦ, ସେହି କପଟାଚାର ଦେଖିବାକୁ ମିଳିବ ବହୁଳ ଭାବରେ । ବ୍ୟଙ୍ଗ କିଛି ସାମାଜିକ ସଂସ୍କାର ଆଣିବାକୁ ସମର୍ଥ ହୁଏ ନାହିଁ । ଅତିବେଶିରେ ପାଠକପାଠିକାଙ୍କ ମନରେ ଏକ ସଚେତନତା ହିଁ ସେ ଜାଗ୍ରତ କରିପାରେ । ଓଡ଼ିଆରେ ପତ୍ରପତ୍ରିକା ଓ ପ୍ରକାଶନର ସୁବିଧା କମ୍‌, ପୁରସ୍କାର ଓ ସ୍ୱୀକୃତି ଆଦିର ବ୍ୟବସ୍ଥା ମଧ୍ୟ ଖୁବ୍‌ବେଶି ନାହିଁ ତଥାପି ସାହିତ୍ୟିକମାନଙ୍କର ଅସୂୟା ଓ ପ୍ରତିଯୋଗୀ ମନୋବୃତ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଆହୁରି ବିଚିତ୍ର କଥା, ଫତୁରାନନ୍ଦ ନିଜର ସ୍ୱାସ୍ଥ୍ୟଗତ କାରଣରୁ, ଆଖିକୁ କିଛି ଦିଶୁନଥିବାରୁ ବର୍ଷ ବର୍ଷ ଧରି କୁଆଡ଼େ ଯାଇଆସି ପାରିନଥିଲେ । ତଥାପି ତାଙ୍କର ତୀକ୍ଷ୍ଣ ଦୃଷ୍ଟି, ଲୋକଚରିତ୍ରଜ୍ଞାନ ଓ ବାସ୍ତବଧର୍ମୀ ଅଭିବ୍ୟକ୍ତି ଦେଖିଲେ ମୁଗ୍ଧ ହେବାକୁ ପଡ଼େ । ଠିକ୍‌ ସେହିଭଳି ତାଙ୍କର ରାଜନୀତି ବିଷୟରେ ଅନ୍ତର୍ଦୃଷ୍ଟି ମଧ୍ୟ ଉଲ୍ଲେଖଯୋଗ୍ୟ । ସ୍ୱାଧୀନତା ଲାଭପରେ ଯେଉଁ ରିକ୍ତଚରିତ୍ର ଶାସକବର୍ଗଙ୍କ ହାତରେ ଦେଶର ଦାୟିତ୍ୱ ନ୍ୟସ୍ତ ହୋଇଥିଲା, ସେମାନେ ଭୋଗାଧିକ୍ୟ, କ୍ଷମତା ଲାଳସା, ଦୁର୍ନୀତି ପ୍ରବଣତା, ଭ୍ରଷ୍ଟାଚାରର ପୃଷ୍ଠପୋଷକତାର ପ୍ରତିମୂର୍ତ୍ତି ହୋଇପଡ଼ିଲେ । ଜନସ୍ୱାର୍ଥ ପ୍ରତି ଅବହେଳା ଫଳରେ ବିକାଶର ପ୍ରଗତି ଅଟକିଗଲା, ଚତୁର୍ଦିଗରେ ଘୋଟିଗଲା ନୈରାଶ୍ୟ, ହତାଶା, ଅସ୍ଥିରତା, ବିଭିନ୍ନ ଗୋଷ୍ଠୀର ସ୍ୱାର୍ଥାନ୍ୱେଷଣ, ଅସୂୟା, ହିଂସା ଓ ନାନା ପ୍ରକାରର ବିଘଟକ ଆସୁରୀ ମନୋବୃତ୍ତି । ଏପରି କୌଣସି ସାମାଜିକ ପକ୍ଷ ନାହିଁ ଯାହାକୁ ସେ ନିଜର ରଚନାରେ ସ୍ଥାନ ଦେଇନାହାନ୍ତି । ଶିକ୍ଷା ଜଗତର ବିଡ଼ମ୍ବନା ଉପରେ ତାଙ୍କର କଟାକ୍ଷ; ‘ସଚ୍ଚାଡିଗ୍ରୀ ହାସଲ ପାଇଁ ପାଠ ପଢ଼ିବାରେ ହଜାର ହଜାର ଟଙ୍କା ଖଟେଇ କି ଲାଭ ! ସେ ବେକାରଗୁଡ଼ାକ ଖାଲି ଚାକିରୀ ଧୁଣ୍ଡି ବୁଲୁଛନ୍ତି, ଓଲୁଗୁଡ଼ାକ ମାରଓ୍ୱାଡ଼ି ପାଠ ଯଦି ପଢ଼ିଥାଆନ୍ତେ ତେବେ ଗୋଡ଼ ପକେଇ ଆରାମରେ ବସି ଥାଆନ୍ତେ । ଏତିକି ଟିକେ ସେମାନଙ୍କ ମୁଣ୍ଡରେ ପଶୁନି ଯେ ଚାକିରୀଗୁଡ଼ାକ ମନ୍ତ୍ରୀ, ସଚିବ ଓ ହାକିମ-ହୁକୁମାଙ୍କ ପିଲାପିଲି ପାଇଁ ରିଜର୍ଭ ହୋଇରହିଛି, ସେଠି ମୁଣ୍ଡ ପିଟି କିଛି ଲାଭନାହିଁ । ଆମ ମୁନିବ ଗାଁ ଚାଟଶାଳୀ ପାଠବି ସାରି ନାହାନ୍ତି । ମାରୁଆଡ଼ି ପାଠରେ ଏମ୍‌. ଏ. ଚୋରା ଗୋଲଡ୍‌ ମେଡାଲିଷ୍ଡଙ୍କୁ ମନ୍ତ୍ରୀଙ୍କଠାରୁ ଆରମ୍ଭକରି ହାକିମହୁକୁମା, ପୋଲିସବାଲା ସମସ୍ତେ ଖାତିରି ଦେଖାନ୍ତି । ତାଙ୍କୁ ସାତଖୁଣ୍‌ ମାଫ୍‌।’ ଶିକ୍ଷା ବ୍ୟତୀତ ସାମ୍ପ୍ରତିକ ସଂସ୍କୃତିକ୍ଷେତ୍ରରେ ଯେପରି ବୀଭତ୍ସତା ପଶିଆସିଛି ତାହା ଫତୁରାନନ୍ଦଙ୍କର ଦୃଷ୍ଟିରେ ପଡ଼ିଛି । ସମସାମୟିକ ଅପସଂସ୍କୃତିର ନାନରୂପ ମଧ୍ୟରୁ ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରତି ଏକ ତାଚ୍ଛଲ୍ୟମିଶ୍ରିତ ହେୟଭାବ ପୋଷଣ କରୁଥିବା କ୍ଷମତାଶାଳୀ ହାକିମହୁକୁମ୍‌ମାନଙ୍କର ଭୂମିକା ମଧ୍ୟ ରହିଛି । ଭାଷାର ଅପମିଶ୍ରଣ ଏହାର ଏକ ପ୍ରଧାନ କୁଫଳ ହୋଇଛି । ତାଙ୍କର ‘ଗାଁଗଣ୍ଡାରେ କଟକବାଣୀର ନାଟକ’ରେ ସେ ରେଡିଓର ଇଂରାଜୀମିଶ୍ରିତ ଓଡ଼ିଆ ନାଟକର ପ୍ରଚାରକୁ ସମାଲୋଚନା କରିଛନ୍ତି । ସେହି ମିଶ୍ରିତ ଭାଷାଠାରୁ ଅଧିକ ବୀଭତ୍ସ ହେଉଛି କୃତ୍ରିମ ଶୁଦ୍ଧ ଓଡ଼ିଆ ଶବ୍ଦର ପ୍ରୟୋଗ ଯାହା ପଲ୍ଲୀର ଜନତାଙ୍କ ଲାଗି ଆଦୌ ବୋଧଗମ୍ୟ ନୁହେଁ । ପୁଣି ପୌରାଣିକ ଚରିତ୍ରମାନଙ୍କ ମୁଖରେ ଇଂରାଜୀ ଶବ୍ଦର ବିସଙ୍ଗତିକୁ ନେଇ ବର୍ତ୍ତମାନର ଅପସଂସ୍କୃତିକୁ ବିଦ୍ରୂପ କରିଛନ୍ତି । ଆଜିର ଅପସଂସ୍କୃତି ମଧ୍ୟରେ ବିଭିନ୍ନ ପୂଜାପାର୍ବଣ ଆଳରେ ବୀଭତ୍ସତାର ପ୍ରବେଶକୁ ମଧ୍ୟ ସେ ଦେଖାଇ ଦେଇଛନ୍ତି । ଅନ୍ତରର ଶୁଦ୍ଧତା କାହିଁଗଲା, କେବଳ ଉପରି ଚାକଚକ୍ୟ, ସାଜସଜ୍ଜା, ମାଇକ୍‌ ବାଜା ଆଦି ସେଠାରେ ବିରାଜୁଛନ୍ତି, ବିରାଟ ଗଣ୍ଡଗୋଳ, ପାଖ ପଡ଼ିଶାଙ୍କର ଅଶାନ୍ତି ଉପୁଜାଇବାଭଳି ବିକଟାଳ ଶବ୍ଦ, କେଉଁଠାରେ ରୋଗୀଟିଏ ଥିଲେ ତାହାର ଅବସ୍ଥା ସଂକଟାପନ୍ନ, କାହାର ସୁଖନିଦ୍ରା ବ୍ୟାହତ ହୁଏ ସେସବୁ ଆପଦ ପ୍ରତି ଆୟୋଜକମାନେ ଉଦାସୀନ । ଏଣେ ଆବହମାନକାଳରୁ ଗଡ଼ିଆସୁଥିବା ରୀତି ନୀତି ମଧ୍ୟ ଫତୁରାନନ୍ଦଙ୍କର ବ୍ୟଙ୍ଗ ବିଦ୍ରୁପର କାରଣ ହୋଇଛି । ‘ଏରଣ୍ଡ ତ୍ରୟୋଦଶୀ’ ନାମକ ନୂଆ ପୂଜାଟିଏ ଆବିଷ୍କାର କରନ୍ତି ଫତୁରାନନ୍ଦଙ୍କ ବିଦୂଷକ । ରଘୁପଣ୍ଡା ପୁଣି ‘କଶ୍ଚିତ୍‌ କାନ୍ତା ବିରହ’ ପୁରୁଣା ମନ୍ତ୍ରରେ ମଦନମୋହନଙ୍କର ପୂଜା କରି ନବବସ୍ତ୍ର ଆଦି ଠାକୁରଙ୍କୁ ଛୁଆଁଇ ଘରକୁ ନେବା କଥା ଋକ୍‌ ବେଦରେ ଲେଖାଥିବାର ଦେଖାଇ ଦିଅନ୍ତି । ସାମ୍ପ୍ରତିକ ବ୍ରାହ୍ମଣ ପୂଜକଙ୍କର ଶଠତା ଓ ଅନ୍ୟମାନଙ୍କର ନିର୍ବୋଧତା ଏଠି ପରିସ୍ଫୂଟ ହୋଇଛି । ଫତୁରାନନ୍ଦ ଆଜିର ‘ପଲଟିସ୍‌’ ଉପରେ ଏକ କଟାକ୍ଷ କରିଛନ୍ତି, ‘ଉଁ, ଏଇଟା ତ ସିଧାସଳଖ କଥାଟାଏ । ରାମା ଦାମା ଶାମା ଏଗୁଡ଼ାକ କରିପାରିବେ । ହେଲେ ଏଥିରେ ପଲଟିସ୍‌ କାହିଁ ? ଆମେ ହେଲୁ ପଲଟିସ୍‌ ବାଲା । ଜଣେ ଗଧଭଳି ଖଟି କାମ କରିଯିବ, ଆଉ ଜଣେ ହଲିଲା ପାଣିରେ ଗୋଡ଼ ନଦେଇ ସେଗୁଡ଼ିକ ନିଜର କରିନେବ, ଆଉ ତା’ର ରସତକ ପିଇଯିବ, ୟା’କୁ କହିବ ପଲଟିସ୍‌।’ ଏତେ ସରଳ ଭାଷାରେ ବର୍ତ୍ତମାନର ରାଜନୀତି ( ପଲଟିସ୍‌)କୁ ଆଉ କେହି ବୁଝାଇନପାରେ । ତାଙ୍କର ‘ନବଜିଆ’ ପୁସ୍ତକ ମଧ୍ୟରେ ସେ ଆଜିର ଶିକ୍ଷା, ଶାସନ, ରାଜନୀତିକ ପ୍ରତାରଣା, ସମାଜର ସ୍ଥିତି, ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥାର ରୂପ, ଯୁବଚିତ୍ତର ଆବେଗ ଓ କର୍ମବିହୀନ ଆଳସ୍ୟର ଛବିକୁ ଉନ୍ମୋଚିତ କରିଛନ୍ତି । ଅନ୍ୟାନ୍ୟ ସବୁ ପୁସ୍ତକ ଓ ରଚନା ମଧ୍ୟରେ ସେ ସାମାଜିକ କୁରୀତି ଓ କୁସଂସ୍କାରମାନଙ୍କୁ ଓ ନାନା ଅସଙ୍ଗତିକୁ ଦେଖାଇ ଦେଇଛନ୍ତି । ସେ ନିଜର ଚରିତ୍ରଚୟନ ମଧ୍ୟରେ କାହାରିକୁ ବାଦ୍‌ ଦେଇ ନାହାନ୍ତି । ସାମ୍ପ୍ରତିକ ସମାଜରେ ଯେଉଁଠି ଆଖିପଡ଼ୁ, ସେହି ବ୍ୟକ୍ତି ଫତୁରାନନ୍ଦଙ୍କ ରଚନା ସମ୍ଭାର ମଧ୍ୟରେ ଦେଖିବାକୁ ମିଳିବ । ଏକମାତ୍ର ନାରୀ ଚରିତ୍ର ହିଁ ଏକ ବ୍ୟତିକ୍ରମ କୁହାଯାଇପାରେ । ଏଥିରେ ତାଙ୍କର ନାରୀବିଦ୍ୱେଷ ନାହିଁ କିନ୍ତୁ ନିଜର ଏକ ସଂକଳ୍ପ ହିଁ ଅଧିକ କାର୍ଯ୍ୟକାରୀ ହୋଇଛି । ସମସ୍ତେ ପ୍ରେମଭିତ୍ତିକ ହାସ୍ୟରସ ବାଢ଼ୁଥିବା ବେଳେ ସେ ସ୍ଥିର କରିଛନ୍ତି ଅନ୍ୟରକମର ହାସ୍ୟରଚନା ସୃଷ୍ଟି କରିବେ । ତଥାପି ଆଜିର ଯୌତୁକ ବ୍ୟବସ୍ଥା ଲାଗି ନିର୍ଯ୍ୟାତିତା ନାରୀ ଓ ଅବିବାହିତା ଝିଅମାନଙ୍କ ପ୍ରସଙ୍ଗ ତାଙ୍କ ରଚନା ମଧ୍ୟରେ ସ୍ଥାନ ପାଇଯାଇଛି । ନିରୀହ ବାପାମାଆଙ୍କ ଭାଷାରେ ସେହି ଝିଅମାନେ ହେଲେ ‘ମହାଜନ’ ‘ଚାରିଟା ମହାଜନ’ ମୋଟ ୪୦ ହଜାର ଟଙ୍କା ଆଜିକାଲି ଜୋଇଁ ନାମକ ଯେଉଁ ଦି ଗୋଡ଼ିଆ ରକତଶୋଷା ଜନ୍ତୁ ଦେଖାଦେଇଛି, ସେମାନଙ୍କୁ ଦେଖିବା ମାତ୍ରେ ମୋ ଗୋଡ଼ ଆଡ଼ୁ ରାଗ ଶିରି ଶିରି ହୋଇ ମୁଣ୍ଡକୁ ଚଢ଼ିଯାଇଛି ।’ ଅନ୍ୟତ୍ର ସେ ଘରଣୀମାନଙ୍କର ଗୁଣ ଗାଇଛନ୍ତି, ‘ହଁ ତୁମ ଘରଣୀମାନଙ୍କ ପାଇଁ ତମେ ବଞ୍ଚିଗଲ । ସେମାନେ ଇସ୍ପାତ କାଚ ସବୁ ପିନ୍ଧି କାଚର କାମ ବାଜିରଖିଛନ୍ତି, ଘଷିଲେ ବି ଲିଭିବ ନାହିଁ । ସାବିତ୍ରୀ ମନ୍ତ୍ର ଜପୁଛନ୍ତି ।’

 

ସମାଜର ସଂସ୍କାର ଓ ପରିଷ୍କରଣ ତାଙ୍କର ମନର ପ୍ରେରଣାଥିଲେ ବି ସେହି ଅଭିପ୍ରାୟଟି ତାଙ୍କର ଗଳ୍ପର ପ୍ରତ୍ୟକ୍ଷ ଆଭିମୁଖ୍ୟ ହୋଇନାହିଁ । ମୁଖ୍ୟତଃ ତାଙ୍କର ଗଳ୍ପ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ହେଉଛି ମାନବୀୟ ସମ୍ବେଦନା । ସେହି ସମ୍ବେଦନାର ମାଧ୍ୟମ ରୂପେ ତାଙ୍କର ହାସ୍ୟବ୍ୟଙ୍ଗର ଶୈଳୀ ବ୍ୟବହୃତ ହୋଇଛି । ପରିଶେଷରେ ତାଙ୍କର ରଚନାମାନ ପାଠ କଲେ ଆର୍ତ୍ତ ମନୁଷ୍ୟ ପ୍ରତି ଟିକିଏ କାରୁଣ୍ୟ ବୋଧ ଆସିବା ହିଁ ତାଙ୍କର ରଚନାର ଏକ ପ୍ରତିପାଦ୍ୟ ବିଷୟ ବୋଲି ମନେହୁଏ । ତାଙ୍କର ସାଧନା ଫଳରେ ହାସ୍ୟ ରସପାଇଁ ଏକ ଅନନ୍ୟ ଭାଷା ଓ ଶୈଳୀ, ସାମାଜିକ ପର୍ଯ୍ୟବେକ୍ଷଣର ଏକ ଅନନ୍ୟ ଦୃଷ୍ଟିଭଙ୍ଗୀ ଓ ସମସାମୟିକ କାଳର ଏକ ନିର୍ଭରଯୋଗ୍ୟ ଦସ୍ତାବିଜ ସୃଷ୍ଟି ହୋଇପାରିଛି ।

 

ସ୍ଵାରସ୍ୱତସାଧକ ଫତୁରାନନ୍ଦ

ଫତୁରାନନ୍ଦ ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ସାରସ୍ୱତସାଧକ । ଏହି ପ୍ରତିଭାଶାଳୀ ସ୍ରଷ୍ଟାଙ୍କ ସୃଷ୍ଟିରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଛି । ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ ଏକ ମହିମାମୟସ୍ଥାନ ଦେବାରେ ହାସ୍ୟସମ୍ରାଟ ଫତୁରାନନ୍ଦ ଯେପରି ନିରବଚ୍ଛିନ୍ନ ସାଧନା କରିଛନ୍ତି ତାହା ବିସ୍ମୟକର । ଅନ୍ୟାନ୍ୟ ରସ ସାହିତ୍ୟରେ ଥିଲେ ହେଁ ଫତୁରାନନ୍ଦ ହାସ୍ୟରସକୁ ତାଂକ ସୃଷ୍ଟିର ମୁଖ୍ୟ ବିଭବ ଭାବରେ ଗ୍ରହଣ କରିନେଇ ଜୀବନର, ସମାଜର ସ୍ୱରୂପକୁ ରୂପାୟନ କରିବାଦିଗରେ ଯେଉଁ ଉଦ୍ୟମ କରିଛନ୍ତି ତାହା ଅନନ୍ୟ । ଫତୁରାନନ୍ଦଙ୍କ ବିପୁଳ ସୃଷ୍ଟିସମ୍ଭାର ମଧ୍ୟରେ ହାସ୍ୟରସର ଉଚ୍ଛଳ ପ୍ରଭାବ ରହିଛି ତ କେଉଁଠି ଶାଣିତ ବ୍ୟଙ୍ଗ ବିଦ୍ରୁପର ତୀକ୍ଷ୍‌ଣ ବୌଦ୍ଧିକତା ପ୍ରକାଶପାଇଛି । ବ୍ୟାଧି ପୀଡ଼ିତ ଜୀବନ, ହୃଦୟର ସ୍ୱରଝଙ୍କାରକୁ ଫତୁରାନନ୍ଦ ହାସ୍ୟରସ ମାଧ୍ୟମରେ ପରିବେଷଣ କରିଛନ୍ତି । ପୁଣି ଅଶ୍ରୁ ପାରାବାରରେ ନିୟତ ଅବଗାହିତ ଜୀବନର ସମସ୍ତ ସୁଖ, ସକଳ ପ୍ରାଚୁର୍ଯ୍ୟରୁ ବଞ୍ଚିତ ଏହି ବିଶିଷ୍ଟ ପ୍ରତିଭା ନିଜେ କରୁଣ କବିତାରେ ପରିଣତ ହୋଇ ମଧ୍ୟ ଦୀର୍ଘକାଳ ଓଡ଼ିଆଜାତିର ଓଠରେ ହସ ଫୁଟେଇବା ପାଇଁ ଯେଉଁ ତପସ୍ୟା କରିଆସିଛନ୍ତି, ତାହାର ପଟାନ୍ତର ନାହିଁ । ଫତୁରାନନ୍ଦଙ୍କ ଜୀବନହିଁ ତାଙ୍କ ବାର୍ତ୍ତା, କିପରି ପରିସ୍ଥିତିରେ କିଭଳି ଭାବରେ ଜଣେ ଚିକିତ୍ସାବିଜ୍ଞାନର ଛାତ୍ର ସାହିତ୍ୟ ଜଗତରେ ଆବିର୍ଭୂତ ହୋଇ ସାମାଜିକ ବ୍ୟାଧିର ଚିକିତ୍ସା ପାଇଁ ବ୍ୟଙ୍ଗକୁ ଏକ ଔଷଧରୂପେ ବ୍ୟବହାର କରିଥିଲେ ତାହା ଆମକୁ ବିସ୍ମିତ କରିଛି ।

 

ଫତୁରାନନ୍ଦ ଜନ୍ମଗ୍ରହଣ କରିଥିଲେ ଜୁନ୍‌ ମାସ ୧ ତାରିଖ ୧୯୧୫ ମସିହାରେ । ଐତିହାସିକ କଟକନଗରର ଝାଞ୍ଜିରୀମଙ୍ଗଳା ତାଙ୍କର ଜନ୍ମସ୍ଥାନ । ତାଂକ ପିତାଙ୍କ ନାମ ବିଦ୍ୟାଧର ମିଶ୍ର, ମାତାଙ୍କ ନାମ ସୁଭଦ୍ରାଦେବୀ । ବିଦ୍ୟାଧର ମିଶ୍ର ଥିଲେ ତତ୍‌କାଳୀନ ଓଡ଼ିଶାର ଖ୍ୟାତନାମା କବିରାଜ ହରେକୃଷ୍ଣ ମିଶ୍ରଙ୍କର ଜ୍ୟେଷ୍ଠ ପୁତ୍ର । ପିତାଙ୍କଠାରୁ ଚିକିତ୍ସା ସଂପର୍କିତ ଜ୍ଞାନ ସତେଯେପରି ଉତ୍ତରାଧିକାର ସୂତ୍ରରେ ସେ ପ୍ରାପ୍ତ ହୋଇଥିଲେ । ସ୍ୱଚ୍ଛଳତା ଭିତରେ ଫତୁରାନନ୍ଦଙ୍କ ଜୀବନ ବିକଶିତ ହୋଇଥିଲା । ଫତୁରାନନ୍ଦଙ୍କ ପ୍ରାଥମିକ ଶିକ୍ଷା ଅବଧାନଙ୍କ ଚାଟଶାଳୀରୁ ହୋଇଥିଲା । ଫତୁରାନନ୍ଦଙ୍କ ପିତାମହ କବିରାଜ ହରେକୃଷ୍ଣ ମିଶ୍ରଙ୍କ ଆର୍ଥିକ ଅବସ୍ଥା ଖୁବ୍‌ ଭଲଥିଲା । ସେ ନିଜ ପରିବାର ସନ୍ତାନ ସନ୍ତତିଙ୍କୁ ପ୍ରାଥମିକ ଶିକ୍ଷା ଦେବାପାଇଁ ସ୍ୱଗୃହରେ ଚାହାଳି ଘରର ବ୍ୟବସ୍ଥା କରିଥିଲେ । ଚାହାଳିପାଠର ଶେଷପରେ ଫତୁରାନନ୍ଦଙ୍କ ସ୍କୁଲ ଜୀବନର ଶୁଭାରମ୍ଭ । ବର୍ତ୍ତମାନ ଯେଉଁ ପ୍ରାକ୍‌ଟିସିଂ ଗାର୍ଲସ ହାଇସ୍କୁଲ କଟକରେ ଦେଖିବାକୁ ପାଉ, ତାଙ୍କ ସମୟରେ ତାହାହିଁ ଥିଲା ପ୍ରାକ୍‌ଟିସିଂ ମିଡିଲ୍‌ ଇଂଲିଶ ସ୍କୁଲ । ଏହି ସ୍କୁଲରୁ ହିଁ ଆମ ସମୟର ବିଶିଷ୍ଟ ହାସ୍ୟଲେଖକ ଫତୁରାନନ୍ଦଙ୍କ ସ୍କୁଲ ଜୀବନର ଆରମ୍ଭ । ପ୍ରାକ୍‌ଟିସିଂ ମିଡିଲ୍‌ ଇଂଲିଶ ସ୍କୁଲ ପରେ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ମଧ୍ୟ ତାଙ୍କ ଛାତ୍ରଜୀବନର ଅନ୍ୟତମ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । ପିତାମହଙ୍କ ସୁଖ୍ୟାତି ପ୍ରାକ୍‌ଟିସିଂ ମିଡିଲ୍‌ ଇଂଲିଶ ସ୍କୁଲରେ ତାଙ୍କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଯେପରି ସହାୟତା କରିଥିଲା, କଲିଜିଏଟ୍‌ ସ୍କୁଲରେ ତାଙ୍କୁ ସେପରି ମଧ୍ୟ ସାହାଯ୍ୟ କରିଥିଲା । ବାଲ୍ୟକାଳରୁ ହିଁ ସାହିତ୍ୟ ପ୍ରତି ତାଙ୍କର ଅନୁରାଗର ଉନ୍ମେଷ ଘଟିଥିଲା । କଲିଜିଏଟ୍‌ ସ୍କୁଲର ଛାତ୍ର ଥିଲାବେଳେ ପ୍ରଥମେ ଗୀତ ଲେଖିବାକୁ ତାଙ୍କର ସ୍ପୃହା ଜାତ ହୋଇଥିଲା । ସେ ସ୍ପୃହା ତାରୁଣ୍ୟର ସ୍ପୃହା । ଯେତେବେଳେ ଇଂରେଜ ସରକାର ବିରୁଦ୍ଧରେ ସମଗ୍ର ଦେଶରେ ଜନଜାଗରଣ ସୃଷ୍ଟି ହୋଇଥିଲା ସେତିକିବେଳେ ତରୁଣ ଫତୁରାନନ୍ଦ ତତ୍‌କାଳୀନ ବ୍ରିଟିଶ ସରକାର ବିରୁଦ୍ଧରେ କିଛି ଗୋଟାଏ ଲେଖିବା ପାଇଁ ପରିବେଶଦ୍ୱାରା ଉଦ୍‌ବୁଦ୍ଧ ହୋଇଥିଲେ । ବାଳକ ଫତୁରାନନ୍ଦଙ୍କର ହାସ୍ୟ ଓ ବ୍ୟଙ୍ଗାତ୍ମକ ଇଂରେଜ ସରକାର-ବିରୋଧୀ ସଙ୍ଗୀତ ଏବଂ ସ୍କୁଲରେ ପଢ଼ୁଥିଲାବେଳେ ସ୍କୁଲ ପତ୍ରିକା ପାଇଁ ଗଳ୍ପଆଦି ଦେଖିବାକୁ ମିଳେ । ଏଥିରେଯେ ଫତୁରାନନ୍ଦୀୟ ପ୍ରତିଭାର ଅଙ୍କୁରୋଦ୍‌ଗମ ହୋଇଥିଲା ଏହା କୁହାଯାଇପାରେ । ସ୍ୱର ସୃଷ୍ଟି କରିବାକୁ ଯାଇ ସଂଗୀତଜ୍ଞ ବୀଣାର ତାରରେ ଅଂଗୁଳି ସଞ୍ଚାଳନ କରେ । ଏହି ଅଙ୍ଗୁଳିଚାଳନା କରୁ କରୁ କ୍ରମେ ସେ ପାଇଯାଏ ତାର ଇପ୍‌ସିତ ସ୍ୱର । ଫତୁରାନନ୍ଦଙ୍କର ଜୀବନରେ ଠିକ୍‌ ତାହାହିଁ ହୋଇଛି । ବାଲ୍ୟକାଳରୁ ସୃଷ୍ଟି ପାଇଁ ଅଜ୍ଞାତ ମୋହ ତାଙ୍କ ଚିତ୍ତକୁ ଆଚ୍ଛନ୍ନ କରି ରଖିଥିଲା । ସରକାର ବିରୋଧୀ ଗୀତ ଯାହା କାନ୍ଥରେ ଲଗା କାଗଜରୁ ଆତ୍ମପ୍ରକାଶ କରି କାନ୍ଥରେ ହଜିଯାଇଥିଲା ତାହା ଫତୁରାନନ୍ଦଙ୍କର ଆଦ୍ୟସୃଷ୍ଟି । ଇଂରେଜ ସରକାରଙ୍କୁ ବିଲୁଆ ଖୁନ୍ଦା ଶୁଳା ଦରକାର ବୋଲି ଲେଖିବା ଭିତରେ ପ୍ରଥମ ଲେଖାରେ ଯେଉଁ ହାସ୍ୟରସର ଆଭାସ ଓ ବ୍ୟଙ୍ଗର ଦ୍ୟୋତନା ମିଳିଥିଲା ପରବର୍ତ୍ତୀକାଳରେ ସେହି ଚେତନା କ୍ରମ ବିକାଶ ଘଟି ତାଙ୍କୁ ଜଣେ ସାର୍ଥକ ହାସ୍ୟବ୍ୟଙ୍ଗ ସ୍ରଷ୍ଟାର ସମ୍ମାନ ଦେଇପାରିଛି । ୧୯୩୧ ମସିହାରେ ଫତୁରାନନ୍ଦ ପାଟଣା ୟୁନିଭର୍‌ସିଟିରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍‌ ପାସ୍‌ କଲେ । ପରବର୍ତ୍ତୀ ଶିକ୍ଷା ଲାଭ ପାଇଁ ସେ ଓଡ଼ିଶା ମେଡିକାଲ ସ୍କୁଲରେ ନାମ ଲେଖାଇଲେ । ଫତୁରାନନ୍ଦ ମେଡିକାଲ ସ୍କୁଲରେ ପାଠ ପଢ଼ିଲାବେଳେ ତାଙ୍କ ଅଜାଣତରେ ଭବିଷ୍ୟତ ଜୀବନର ନକ୍‌ସା ଅଙ୍କିତ ହୋଇସାରିଥିଲା । ଏହି ସମୟରେ ସେ କାର୍ଟୁନ୍‌ ଚିତ୍ର ଅଙ୍କନ କରି ମେଡିକାଲ ପତ୍ରପତ୍ରିକାକୁ ଦେବା ସହିତ ବମ୍ବେରୁ ପ୍ରକାଶ ପାଉଥିବା ନ୍ୟାସନାଲ୍‌ ଫ୍ରଣ୍ଟକୁ ମଧ୍ୟ ପଠାଉଥିଲେ ।

 

ଫତୁରାନନ୍ଦଙ୍କ ପ୍ରଥମ ନାମଥିଲା ରାମଚନ୍ଦ୍ର ମିଶ୍ର । ସେ ମେଡିକାଲ ସ୍କୁଲରେ ପଢ଼ିଲାବେଳେ ରାମଚନ୍ଦ୍ରରୁ ଫତୁରାନନ୍ଦରେ ରୂପାନ୍ତରିତ ହେଲେ । ସାହିତ୍ୟିକ ଜୀବନ ଆରମ୍ଭ କଲାବେଳେ ପ୍ରଥମ ସୃଷ୍ଟି ଯେତେବେଳେ ଆତ୍ମପ୍ରକାଶ କରିବାକୁ ବସିଲା ସେତେବେଳେ ଛଦ୍ମନାମରେ ସେ ସୃଷ୍ଟିକୁ ପରିଚିତ କରିବା ପାଇଁ ସ୍ଥିରକରି ନାମଟିକୁ ଖୋଜିଲା ବେଳେ ମନେ ପଡ଼ିଲା ମେଡିକାଲ ସ୍କୁଲରେ ପଢ଼ିଲାବେଳେ ବଙ୍ଗୀୟ ପୌଢ଼ ମୁଖାର୍ଜୀ ମହାଶୟ ଦେଇଥିବା ଫତୁରାନନ୍ଦ ନାମଟି । ରାମଚନ୍ଦ୍ର ଏହି ନାମଟିକୁ ବ୍ୟବହାର କରିବାକୁ ସ୍ଥିର କଲେ । ନିଜର ପ୍ରଥମ ସୃଷ୍ଟିର ସ୍ରଷ୍ଟାକୁ ଫତୁରାନନ୍ଦ ନାମରେ ନାମିତ କରି ପ୍ରକାଶ ପାଇଁ ପଠାଇଦେଲେ । ସେହିଦିନଠାରୁ ରାମଚନ୍ଦ୍ର ହୋଇଗଲେ ଫତୁରାନନ୍ଦ । ଚାରିବର୍ଷର ଡାକ୍ତରୀ ପାଠସାରିବାକୁ ଫତୁରାନନ୍ଦଙ୍କୁ ଆଠବର୍ଷ ଲାଗିଗଲା । ୧୯୩୮ ମସିହାରେ ସେ ମେଡିକାଲ ସ୍କୁଲରୁ ପାସ୍‌ କଲେ । ଫତୁରାନନ୍ଦ କଳା ଓ ବିଜ୍ଞାନର ଅପୂର୍ବ ସମନ୍ୱୟ । ଜଣେ ଡାକ୍ତରୀ ଛାତ୍ର ହୋଇଥିଲେ ମଧ୍ୟ କଳା, ସାହିତ୍ୟ, ପ୍ରତି ତାଙ୍କର ଗଭୀର ମମତା । କଳାର କେବଳ ପୂଜାରୀ ହେବାର ଇଚ୍ଛା ନୁହେଁ ପରନ୍ତୁ କଳାର ଛାତ୍ର ହେବାପାଇଁ ଥିଲା ତାଙ୍କର ପ୍ରବଳ ଝୁଙ୍କ୍‌। ସେ ୧୯୬୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଘରୋଇଭାବରେ ଆଇ. ଏ. ପରୀକ୍ଷା, ୧୯୬୯ ମସିହାରେ ବି. ଏ. ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ।

 

୧୯୩୬ ମସିହାରେ ତାଙ୍କ ପିତାଙ୍କ ପରଲୋକ ଘଟିଥିଲା । ସେ ପୁଣି ବ୍ୟାଧିର ଚରମ ଆକ୍ରମଣର ସମ୍ମୁଖୀନ ହେଲେ । ଛାତ୍ର ଅବସ୍ଥାରୁ ନିୟମିତ ପାଠ କରିଆସୁଥିବା ‘ଡଗର’ ଆଉ କିଣିବା ପାଇଁ ଫତୁରାନନ୍ଦ ସମର୍ଥ ହେଲେ ନାହିଁ । ଅଭାବ, ଅନଟନ ଏଥିରେ ପ୍ରତିବନ୍ଧକ ହେଲା । ବଂଧୁ ଜୟକୃଷ୍ଣ ମହାନ୍ତିଙ୍କଠାରୁ ଜାଣିଥିଲେ ଯେ ପତ୍ରିକାକୁ ଲେଖା ଦେଲେ ଏବଂ ତାହା ସେ ପତ୍ରିକାରେ ପ୍ରକାଶ ପାଇଲେ ବିନା ପଇସାରେ ଉକ୍ତ ପତ୍ରିକା ଖଣ୍ଡିଏ ମିଳେ । ଉପନ୍ୟାସ ଲେଖି ପବ୍ଳିଶର୍ସକୁ ଦେଲେ ଯଦି ତାହା ପ୍ରକାଶିତ ହୁଏ ଦେବେ ଦୁଇଶହରୁ ଊର୍ଦ୍ଧ୍ୱଟଙ୍କା ରାଜଭାଗ ମିଳେ । ଏହି କଥାରେ ପ୍ରବୋଧିତ ହୋଇ ଫତୁରାନନ୍ଦ ଲେଖିଲେ ଡଗର ପାଇଁ ‘କବି ଲଢ଼େଇ’ କବିତା । ଡଗର ପରିଚାଳନା ସଂପାଦକ ଶ୍ରୀ ରାଇମୋହନ ଦାସ ଏହି ଲେଖାପଢ଼ି ତାଂକୁ ପ୍ରଶଂସା କଲେ । ଯାହା ଫତୁରାନନ୍ଦଙ୍କୁ ପରବର୍ତ୍ତୀ କାଳରେ ଲେଖକ କରି ଗଢ଼ିତୋଳିଲା । ଫତୁରାନନ୍ଦ କେବଳ ଡଗର ପଢ଼ିବା ପାଇଁ କବି ଲଢ଼େଇ ଲେଖିଲେ ନାହିଁ ପରନ୍ତୁ ଆର୍ଥିକ ଅନାଟନ ପୁଣି ତାଙ୍କୁ ଭବିଷ୍ୟତର ପ୍ରତିଷ୍ଠା ପାଇଁ ପଥନିର୍ଦ୍ଦେଶ କଲା । ତାଂକର ପ୍ରସିଦ୍ଧ ଉପନ୍ୟାସ ‘ନାକଟା ଚିତ୍ରକର’ ଲେଖିବା ଆରମ୍ଭ କଲେ । ଲକ୍ଷ୍ୟଥିଲା ଉପନ୍ୟାସ ଲେଖିଲେ ସେ ରାଜଭାଗ ବାବଦରେ ଦୁଇଶହ ଟଙ୍କା ପାଇଯିବେ । ଫତୁରାନନ୍ଦ ସିନା ଡାକ୍ତରୀପାଠ ପଢ଼ିଲେ କିନ୍ତୁ ବାସ୍ତବ ଜୀବନରେ ସେ ଡାକ୍ତର ହୋଇପାରିଲେ ନାହିଁ । ସେ ଷ୍ଟେଥୋ ବା ଇଂଜେକ୍‌ସନ୍‌ ସିରିଞ୍ଜ୍‌ ବ୍ୟବହାର କରିପାରିଲେ ନାହିଁ । ସିରିଞ୍ଜ୍‌ ବଦଳରେ ସେ ଲେଖନୀ ଧରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କଲେ ।

 

କାଳକ୍ରମେ ରୋଗ କବଳରୁ ଫତୁରାନନ୍ଦ ମୁକ୍ତ ହେଲେ ସିନା କିନ୍ତୁ ତାଙ୍କର ଆଖି ଦୁଇଟିକୁ ଚିରଦିନ ପାଇଁ ହରେଇ ବସିଲେ । ଜୀବନ, ସଂସାରପ୍ରତି ତାଙ୍କର ବିତୃଷ୍ଣା ଆସିଲା । ସବୁଦିନ ପାଇଁ ସେ ଅବିବାହିତ ହୋଇ ରହିଗଲେ । କେବଳ ସେତିକି ନୁହେଁ ସାଧୁସନ୍ଥଙ୍କପରି ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ଗେରୁଆ ଲୁଗାର ଫାଲଟା ଏବଂ ଫତେଇ ଜୀବନ ସାରା ପିନ୍ଧିଲେ ।

 

ଫତୁରାନନ୍ଦଙ୍କ ଜୀବନର ବହୁକାଳ ‘ଡଗର’ ପ୍ରକାଶନରେ ବିନିଯୋଗ ହୋଇଛି । ତାଙ୍କର ପ୍ରିୟ ପତ୍ରିକା ‘ଡଗର’ ୧୯୪୯ ମସିହାରୁ ୧୯୮୯ ମସିହା ପର୍ଯ୍ୟନ୍ତ ତାଙ୍କର ସୁପରିଚାଳନାରେ କଟକ ପିଠାପୁରସ୍ଥ ବାସଭବନରୁ ନିୟମିତ ପ୍ରକାଶିତ ହେଉଥିଲା ।

 

‘କବି ଲଢ଼େଇ’ ରଚନା ପରଠାରୁ ଫତୁରାନନ୍ଦଙ୍କ ପ୍ରତିଭା ବିକାଶ ଲାଭ କରିଛି । ଫତୁରାନନ୍ଦ କେବଳ ଶତାଧିକ ଗଳ୍ପ ସୃଷ୍ଟି କରିନାହାନ୍ତି, ପରନ୍ତୁ ପରବର୍ତ୍ତୀକାଳରେ ସେ କବିତା, ନାଟକ, ରମ୍ୟରଚନା, ଅନୁବାଦ ପ୍ରଭୃତି ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ଫତୁରାନନ୍ଦ ମଧ୍ୟ ମହୁ ଲାଳିକା ସୃଷ୍ଟି କରିଛନ୍ତି । ଫତୁରାନନ୍ଦଙ୍କ ରଚିତ କବିତା-ନିଲଠା କବି, କାବ୍ୟ-ସାହି ମହାଭାରତ, ଉପନ୍ୟାସ-ନାକଟା ଚିତ୍ରକର ନାଟକ-କଲିକତି ଚେଙ୍କ, ହାସ୍ୟଗଳ୍ପ-ସାହିତ୍ୟଚାଷ, ସାହିତ୍ୟ ବେଉଷଣ, ସାହିତ୍ୟ ବଛାବଛି, ମଙ୍ଗଳ ବାରିଆ ସାହିତ୍ୟ ସଂସଦ, ହସକୁରା, ବୃହତ୍‌ ଭାଣ୍ଡ, ଅମୃତ ବେହିଆ, ଭୋଟ୍‌, ଗମାତ୍‌, ନିଦା ବେହେଲ, ହେରେସା, ନବଜିଆ, ଥଟଲିବାଜ, ବିଦୂଷକ, ମସ୍କରା, ଟାହୁଲିଆ, ଟାପୁରିଆ, ମୁଚୁକୁନ୍ଦିଆ, ଖିଲିଖିଲିଆ, ଓଡ଼ିଶାର ସ୍ପିନ୍‌ବୋଲର, ଆତ୍ମଜୀବନୀ-ମୋ ଫୁଟାଡଙ୍ଗାର କାହାଣୀ, ଅନୁବାଦ-ଆଦର୍ଶ ହିନ୍ଦୁ ହୋଟେଲ, ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ, ରମ୍ୟରଚନା-ଫମାଲୋଚନା, ଶିଶୁ ସାହିତ୍ୟ-ଅଜଗବି ଶିକାର, ନାଲୁର ଚନ୍ଦଯାତ୍ରା ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟରେ ନୂତନ ଧାରା ସୃଷ୍ଟି କରିଛି । ସାହିତ୍ୟ ରଚନାର ଆଦ୍ୟଭାଗରେ ଗମ୍ଭୀର ଭାବଦ୍ୟୋତକ ଗଳ୍ପ ସେ ଲେଖୁଥିଲେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ହାସ୍ୟରସ ଓ ବ୍ୟଙ୍ଗପ୍ରତି ତାଙ୍କର ଗଭୀର ମମତା ସୃଷ୍ଟି ହୋଇଛି । ସେଥିପାଇଁ ହାସ୍ୟ ଓ ବ୍ୟଙ୍ଗପୂର୍ଣ୍ଣ ଶୃଙ୍ଗାର ରସ ବର୍ଜିତ ଗଳ୍ପ ଜୀବନର ଶେଷ ପର୍ଯ୍ୟନ୍ତ ରଚନା କରି ଆସିଛନ୍ତି ।

 

ହାସ୍ୟ ସାହିତ୍ୟ ରଚନା କରିବା ସହିତ ହାସ୍ୟ ରସର ବିକାଶ ପାଇ ଫତୁରାନନ୍ଦ ସରସ ସାହିତ୍ୟ ସମିତି, ହାସ୍ୟବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ‘ରସରାଜ’ ଓ ‘କାନ୍ତକବି’ ପୁରସ୍କାର ପ୍ରବର୍ତ୍ତନ କରି ଆମ ସାହିତ୍ୟରେ ହୋଇଛନ୍ତି ସ୍ମରଣୀୟ ।

 

ଫତୁରାନନ୍ଦଙ୍କ ସାଧନା ସ୍ୱୀକୃତି ପାଇଛି, ସେ ସମ୍ମାନିତ ହୋଇଛନ୍ତି ତାଙ୍କର ମହାନ୍‌ ଅବଦାନ ପାଇଁ । ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାସହ ସାରଳା ପୁରସ୍କାର, ଯଦୁମଣି ସାହିତ୍ୟ ସଂସଦ, ନୟାଗଡ଼, ସାରଳା ସାହିତ୍ୟ ସଂସଦ, କଟକ, ଉତ୍କଳ ପାଠକ ସଂସଦ । ରାଧାନାଥ ପାଠାଗାର, ସୋର ଏବଂ ରାଉରକେଲା ବାସୀଙ୍କ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଓ ସମ୍ମାନରେ ସେ ଅଭିନନ୍ଦିତ ହୋଇଛି ।

 

ଫତୁରାନନ୍ଦ ଦୀର୍ଘ ଅର୍ଦ୍ଧଶତାବ୍ଦୀଧରି ହାସ୍ୟ ସାହିତ୍ୟ ସୃଷ୍ଟି କରିଥିଲେ । ଦୁଃଖ, ଯନ୍ତ୍ରଣା, ରୋଗ, ଶୋକ, ବ୍ୟଥା ବେଦନା ଭିତରେ ତାଙ୍କ ଜୀବନର ଗତି । କିନ୍ତୁ ସେ ସବୁକୁ ଉପହାସ କରି ସୃଷ୍ଟି କରିଥିଲେ ହାସ୍ୟର କଲ୍ଲୋଳ । ଫତୁରାନନ୍ଦ ସେଥିପାଇଁ ଓଡ଼ିଆ ସାହିତ୍ୟରେ ଏକ ବ୍ୟତିକ୍ରମ । ଫତୁରାନନ୍ଦ ସାଧାରଣ ମଣିଷର ଦୁଃଖରେ ବ୍ୟଥିତ ହୋଇପଡ଼ୁଥିଲେ । ଅଥଚ ନିଜର ଅନନ୍ତ ବ୍ୟଥା ବେଦନାକୁ ସହି ନେଉଥିଲେ । ଭାବିହେଉ ନାହିଁ ମଣିଷ ଏତେ କଷ୍ଟ ଯନ୍ତ୍ରଣାକୁ ସହିପାରେ ପୁଣି ସହିଯାଇ ଲୁହ, ଦୁଃଖକୁ ଆତ୍ମତ୍ସ କରି ହସର ସାଗର ସୃଷ୍ଟି କରିପାରେ । ସକଳ ବ୍ୟଥା ଓ ବେଦନା ହାସ୍ୟସମ୍ରାଟ ଫତୁରାନନ୍ଦଙ୍କ ଓଠରୁ ହସକୁ ଛଡ଼ାଇ ପାରିନି । ୧୯୯୫ ନଭେମ୍ବର ୬ ତାରିଖ ଦିନ ଯୁଗସ୍ରଷ୍ଟା ଫତୁରାନନ୍ଦଙ୍କ ମହାପ୍ରୟାଣ ଘଟିଲା । ଓଡ଼ିଆ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ସାଧକ ଆଧୁନିକ ହାସ୍ୟବ୍ୟଙ୍ଗ ଯଶସ୍ୱୀ ସାହିତ୍ୟର ଗୁରୁ ଫତୁରାନନ୍ଦଙ୍କ ପରଲୋକରେ ଆମ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଲା ।

 

ଖ୍ୟାତନାମା ସାରସ୍ୱତ ସାଧକ, ଅନନ୍ୟ ସ୍ରଷ୍ଟା ଫତୁରାନନ୍ଦଙ୍କ ଅତି ଅନ୍ତରଙ୍ଗ, ଯଶସ୍ୱୀ ସାହିତ୍ୟସାଧକ ଚଉଧୁରୀ ହେମକାନ୍ତ ମିଶ୍ର । ହାସ୍ୟ ସମ୍ରାଟ ଫତୁରାନନ୍ଦ ଗ୍ରନ୍ଥ ରଚନା କରି ଆମ୍ଭମାନଙ୍କୁ କୃତଜ୍ଞ କରାଇଛନ୍ତି । ତାଙ୍କ ସ୍ୱକୀୟ ଅନୁଭବ ଏକ ଭିନ୍ନ ଶୈଳୀରେ ଆତ୍ମପ୍ରକାଶ କରିଛି ଏକ ଆବେଗିକ ଆତ୍ମିକ ଚେତନାର ଉତ୍ତରଣ ଘଟିଛି ଏହି ଗ୍ରନ୍ଥରେ । ସେଥିପାଇଁ ତାଂକୁ ଅଭିନନ୍ଦନ ଜଣାଉଛି ।

 

ଗ୍ରନ୍ଥଟି ନିଶ୍ଚୟ ଫତୁରାନନ୍ଦ ସାହିତ୍ୟର ଅସୁମାରୀ ପାଠକ, ପାଠିକାକୁ ଅଶେଷ ଆନନ୍ଦ ପ୍ରଦାନ କରିବ ବୋଲି ଦୃଢ଼ ବିଶ୍ୱାସ ରହିଛି ।

 

୧. ଅଗଷ୍ଟ. ୨୦୦୩                                    ଅଧ୍ୟାପକ ଡଃ. ବିଜୟାନନ୍ଦ ସିଂହ